ଆବିର୍ଭାବ :- ୦୨-୦୨-୧୯୫୯
ଜନ୍ମସ୍ଥାନ :- କଖାରୁଣୀ, କେନ୍ଦ୍ରାପଡ଼ା
କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇସ୍ଥ ଅଳଭା ନିକଟବର୍ତ୍ତୀ କଖାରୁଣୀ ଗ୍ରାମରେ ୧୯୫୯ ମସିହା ଫେବୃଆରୀ ୨ ତାରିଖରେ କୃଷ୍ଣଚନ୍ଦ୍ରଙ୍କ ଜନ୍ମ । ମାତା ବାଲୁରି ଦେବୀ, ପିତା ହୃଦାନନ୍ଦ ପ୍ରଧାନ । ଓଡ଼ିଆ ଭାଷା ସାହିତ୍ୟରେ ସେ ସ୍ନାତକୋତ୍ତର, ଉଚ୍ଚତର ଗବେଷଣା କରି ଏମ୍.ଫିଲ୍, ପିଏଚ୍.ଡି, ଡି.ଲିଟ୍ ଉପାଧି ପ୍ରାପ୍ତ ହୋଇଛନ୍ତି । ଏତଦ୍ବ୍ୟତୀତ ସେ ଶିକ୍ଷାରେ ମଧ୍ୟ ସ୍ନାତକ । ଶିକ୍ଷା ସମାପ୍ତ ପରେ ସେ ଅଧ୍ୟାପକ ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରନ୍ତି । ସମ୍ପ୍ରତି ସେ ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଓ ଭାଷା ସାହିତ୍ୟ ବିଭାଗର ପ୍ରଫେସର ଭାବରେ କାର୍ଯ୍ୟରତ । ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ହେଁ, ମୁଖ୍ୟତଃ ସେ ଜଣେ ପ୍ରାବନ୍ଧିକ ଓ ସାହିତ୍ୟ ସମାଲୋଚକ ଭାବରେ ଓଡ଼ିଆ ପାଠକମାନଙ୍କ ନିକଟରେ ସୁପରିଚିତ । ଐତିହାସିକ, ତୁଳନାତ୍ମକ ଓ ସଂରଚନାତ୍ମକ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ସେ ବିଶେଷ ଅବଗାହୀ । ଲୋକବିଦ୍ୟାର ତାତ୍ତ୍ଵିକ ଅଧ୍ୟୟନ କ୍ଷେତ୍ରରେ ତାଙ୍କର ସ୍ୱତନ୍ତ୍ର ଅଭିରୁଚି ମଧ୍ୟ ଅଛି । ୧୯୯୦ ମସିହାରେ ତାଙ୍କର ‘ଆମ ସ୍ୱାସ୍ଥ୍ୟରକ୍ଷା ଆମ କର୍ତ୍ତବ୍ୟ’ ଶିଶୁ ସାହିତ୍ୟ ପ୍ରଥମ ପ୍ରକାଶିତ ପୁସ୍ତକ ।
ଉଲ୍ଲେଖନୀୟ ରଚନାବଳୀ : ପ୍ରବନ୍ଧ : ଓଡ଼ିଆ ସାହିତ୍ୟର ସାମାଜିକ ଓ ସାଂସ୍କୃତିକ ବିକାଶ ଧାରା, ଓଡ଼ିଆ ସାହିତ୍ୟର ଇତିହାସ, ଓଡ଼ିଆ ଲୋକ ସାହିତ୍ୟ ଓ ଲୋକ ସଂସ୍କୃତି, ଦେଶ ଓ ଭାଷାର କାରିଗର ଫକୀରମୋହନ ଇତ୍ୟାଦି ।
ଜ୍ଞାନ ଓ ସ୍ୱୀକୃତି : ଚେତନା ସାହିତ୍ୟ ପ୍ରତିଭା ସମ୍ମାନ, ପୁନର୍ନବା ସମୀକ୍ଷା ସମ୍ମାନ, ସାହିତ୍ୟ ଶ୍ଵେତପଦ୍ମା ସମ୍ମାନ, ପଟାମୁଣ୍ଡାଇ ପୁସ୍ତକମେଳା ସମ୍ମାନ, ଚେତାବନୀ ପ୍ରଜ୍ଞା ସମ୍ମାନ, ରଙ୍ଗମଞ୍ଚ ସମ୍ମାନ ଇତ୍ୟାଦି ।