ପ୍ରେମ ମାନବ ଜୀବନର ସାରବସ୍ତୁ – ପ୍ରେମ ହିଁ ମାନବ ଜୀବନର ଲକ୍ଷ୍ୟ, ଅଥବା ପ୍ରକୃତ ଜୀବନ । ଯେଉଁଠାରେ ପ୍ରେମ, ସେହିଠାରେ ଜ୍ଞାନ ଓ ପବିତ୍ରତା, ସେହିଠାରେ ବାଧ୍ୟତା ଓ କର୍ତ୍ତବ୍ୟ ନିଷ୍ଠା । ପ୍ରେମ ମାନବ ହୃଦୟକୁ ଭେଦାଭେଦ ଶୂନ୍ୟ କରେ, ସ୍ୱାର୍ଥ ବିବର୍ଜିତ କରେ, ଆତ୍ମ-ବିସ୍ମୃତ କରେ । ପ୍ରେମରେ ଛୋଟବଡ଼ ନାହିଁ, ‘ମୁଁ’ ‘ତୁ’ ନାହିଁ । ପ୍ରେମର ମହିମା କୀର୍ତ୍ତନ କରିବା ଆମ୍ଭମାନଙ୍କ ଉଦ୍ଦେଶ୍ୟ ନୁହେଁ ଏବଂ ତାହା ଆମ୍ଭମାନଙ୍କ ଭଳି ଲୋକର କାର୍ଯ୍ୟ ନୁହେଁ । ଆମ୍ଭେମାନେ ଏତିକି ମାତ୍ର କହୁଅଛୁଁ ଯେ ପ୍ରେମ ବିନା ପ୍ରକୃତ ମନୁଷ୍ୟତ୍ୱ ଅସମ୍ଭବ, ପ୍ରେମଶୂନ୍ୟ ହୃଦୟ ପ୍ରେତ ପିଶାଚର ଲୀଳାଭୂମି । ଯାହା ଇନ୍ଦ୍ରିୟ ଶକ୍ତି ଜଡ଼ିତ ବା ଶୁଖ ଲାଳସା ପ୍ରସୂତ ତାହା ପ୍ରେମ ନାମର ଯୋଗ୍ୟ ନୁହେଁ – ତାହା ଅସ୍ଥାୟୀ; ସୁଖର ଆଶା ଶେଷ ହେଲେ ତାହାର ଅସ୍ତିତ୍ୱ ପ୍ରାୟ ବିଲୁପ୍ତ ହୁଏ ସେ କେବଳ ସୁଖର ସ୍ଥାନ ଖୋଜି ବୁଲେ । ଯେଉଁ ପ୍ରେମ ମନୁଷ୍ୟ ହୃଦୟରେ ଦେବଭାବ ବିକଶିତ କରେ; ତାହାକୁ ଅନନ୍ତ ଲକ୍ଷ୍ୟପଥରେ ଅଗ୍ରସର କରେ; ତାହାହିଁ ପ୍ରକୃତ ପ୍ରେମ ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy