ଏହି ସୁପରିଟେଣ୍ଡେଣ୍ଟ, ଶିକ୍ଷକମାନଙ୍କର "ହରି ଭାଇନା" ହେଉଛନ୍ତି ଆଚାର୍ଯ୍ୟ ହରିହର ଦାସ । ପରେ ତାଙ୍କୁ ସମସ୍ତେ ଡାକିଲେ, ଆଚାର୍ଯ୍ୟ ମହାଶୟ ବୋଲି । ଦେଶର ସବୁ ସହର, ସବୁ ଗାଁ ଗଣ୍ଡ।ର ଲୋକେ ଏହି ଆଚାର୍ଯ୍ୟ ମହାଶୟଙ୍କୁ ଆଦର କରୁଥିଲେ, ଭକ୍ତି କରୁଥିଲେ, ଦେଖିଲେ ଗୋଡ଼ତଳେ ପଡ଼ୁଥିଲେ । ଆଚାର୍ଯ୍ୟ ମହାଶୟ ମଧ୍ୟ ଯାହାଙ୍କୁ ଦେଖନ୍ତି, ତା’ ଉପରେ ସ୍ନେହ ସୋହାଗ ଢାଳି ଦିଅନ୍ତି । ହସି ହସି ତା’ର କୁଶଳ ମଙ୍ଗଳ ପଚାରନ୍ତି । ସତେ ଯେପରି ସମସ୍ତେ ତାଙ୍କର ନିଜର ପିଲା; ସେ ସମସ୍ତଙ୍କର ମୁରବି–ବାପ କି ବଡ଼ ଭାଇ । ତାଙ୍କର କେହି ଶତ୍ରୁ ନଥିଲେ, ତାଙ୍କ ପାଖରେ କେହି ପର ନଥିଲେ–ସମସ୍ତେ ଆପଣାର, ସମସ୍ତେ ନିଜ ଲୋକ । ଏତେ ସ୍ନେହ ଶ୍ରଦ୍ଧା ସାଧାରଣ ମନୁଷ୍ୟ ପାଖରେ ଦେଖିବାକୁ ମିଳେ ନାହିଁ । ସେ ସ୍ନେହର ସୀମା ନାହିଁ କି ଶ୍ରଦ୍ଧାର ଅନ୍ତ ନାହିଁ । କେବଳ ସେଥିପାଇଁ ଆଚାର୍ଯ୍ୟ ମହାଶୟ ସମସ୍ତଙ୍କର ପୂଜ୍ୟ, ସମସ୍ତଙ୍କର ନମସ୍ୟ ହୋଇଥିଲେ । ତାଙ୍କ ନାମ ମନେ ପଡ଼ିଲେ ପିଲା, ବୁଢ଼ା ସମସ୍ତଙ୍କ ମୁଣ୍ଡ ନଇଁ ଯାଉଥିଲା ।
Copyright © 2025 Odia Virtual Academy. All rights reserved Total Visitors- 1
Powered by: Odia Virtual Academy