ଶ୍ରୀ ପ୍ରାଣକୃଷ୍ଣ ପରିଜା

ଆବିର୍ଭାବ :- ୦୧-୦୪-୧୮୯୧
ତିରୋଧାନ :- ୦୨-୦୬-୧୯୭୮
ଜନ୍ମସ୍ଥାନ :- ବାଲିକୁଦା, ଜଗତସିଂହପୁର

ଉଦ୍ଭିଦବିଜ୍ଞାନ ଗବେଷଣା କ୍ଷେତ୍ରରେ ବିଶ୍ୱ ବିଜ୍ଞାନ ଭଣ୍ଡାରକୁ ଅତୁଳନୀୟ ଅବଦାନ ପାଇଁ ବିଶିଷ୍ଟ ବୈଜ୍ଞାନିକ ପଦ୍ମଭୂଷଣ ଡ. ପ୍ରାଣକୃଷ୍ଣ ପରିଜାଙ୍କ ନାମ ଅନନ୍ତକାଳ ପର୍ଯ୍ୟନ୍ତ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ଡ. ପରିଜା ୧୮୯୧ ମସିହା ଏପ୍ରିଲ ପହିଲା ଦିନ ଜଗତ୍‍ସିଂହପୁର ବାଲିକୁଦା ଅନ୍ତର୍ଗତ ଇଚ୍ଛାପୁର ଗ୍ରାମରେ ପିତା ବିଶ୍ୱନାଥଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ।

ବାଲିକୁଦା ମଧ୍ୟଇଂରାଜୀ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତ କଲାପରେ ପରିଜା ମହାଶୟ ୧୯୦୯ ମସିହାରେ କଟକ ରେଭେନ୍‍ସା କଲେଜିଏଟ୍‍ ସ୍କୁଲରୁ ଏଣ୍ଟ୍ରାନ୍ସ ଓ ରେଭେନ୍‍ସା କଲେଜରୁ ଆଇ.ଏସ୍‍ସି.ରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ କଲିକତା ପ୍ରେସିଡେନ୍‍ସି କଲେଜରୁ ୧୯୧୯ ମସିହାରେ ଗଣିତରେ ଅନର୍ସ ସହ ଡିଗ୍ରୀ ହାସଲ କଲେ ଏବଂ ପରେ ଛାତ୍ରବୃତ୍ତି ପାଇ ଇଂଲଣ୍ଡର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ଏହିଠାରେ ଡ. ପରିଜା ଉଦ୍ଭିଦମାନଙ୍କ ଶ୍ୱାସକ୍ରିୟା ଉପରେ ଉଚ୍ଚତ୍ତର ଗବେଷଣା କରିଥିଲେ ଏବଂ ଏ ସଂପର୍କିତ ତାଙ୍କର ନିବନ୍ଧ ‘ପ୍ରୋସିଡିଂସ ଅଫ ଦ ରୟାଲ ସୋସାଇଟି’ରେ ପ୍ରକାଶ ପାଇବା ପରେ ସେ ଅନ୍ତର୍ଜାତୀୟ ସ୍ତରରେ ଜଣେ ଉଦ୍ଭିଦବିଜ୍ଞାନୀଭାବେ ପରିଚିତ ହୋଇଥିଲେ ।

୧୯୩୮ ମସିହାରେ ସେ ରେଭେନ୍‍ସାରେ ଅଧ୍ୟକ୍ଷଭାବେ ନିଯୁକ୍ତି ପାଇଥିଲେ । ତାଙ୍କ ଉଦ୍ୟମରେ ୧୯୪୨ ମସିହାରେ ରେଭେନ୍‍ସା କଲେଜରେ ଉଦ୍ଭିଦବିଜ୍ଞାନରେ ସ୍ନାତକ ଶ୍ରେଣୀ ଖୋଲିଥିଲା । ୧୯୪୩ ମସିହାରେ ଡ. ପରିଜା ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି, ୧୯୪୫ ମସିହାରେ ରାଜ୍ୟ କୃଷି ବିଭାଗର ନିର୍ଦ୍ଦେଶକ, ୧୯୪୯ରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍‍ଚାନସେଲର ଏବଂ ୧୯୫୧ରେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରୋ-ଚାନସେଲର ଭାବରେ ନିଯୁକ୍ତି ପାଇଥିଲେ । ୧୯୫୨ ମସିହାରେ ସେ ବାଲିକୁଦା ନିର୍ବାଚନ ମଣ୍ଡଳୀରୁ ରାଜ୍ୟ ବିଧାନସଭାର ସଭ୍ୟଭାବେ ନିର୍ବାଚିତ ହୋଇଥିଲେ ।

ବିଜ୍ଞାନ ଶିକ୍ଷା ପାଇଁ ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ସକାଶେ ଡ. ପରିଜା ଅନବଦ୍ୟ ଚେଷ୍ଟା କରିଥିଲେ । ତାଙ୍କ ଉଦ୍ୟମରେ ଭାରତୀୟ ବିଜ୍ଞାନ କଂଗ୍ରେସର ଐତିହାସିକ ଅଧିବେଶନ କଟକ ସହରରେ ଅନୁଷ୍ଠିତ ହୋଇଥିଲା । ଜାତୀୟ ବିଜ୍ଞାନ ପ୍ରତିଷ୍ଠାନର ସେ ଥିଲେ ପ୍ରତିଷ୍ଠାତା ସଦସ୍ୟ । ଉଦ୍ଭିଦଙ୍କ ଶ୍ୱାସକ୍ରିୟା ତାଙ୍କ ଗବେଷଣାର ମୁଖ୍ୟ ବିଷୟ ଥିଲେ ମଧ୍ୟ ଧାନଚାଷ ଓ ବିଲାତିଦଳର ନିରାକରଣ ଆଦି ସାଧାରଣ ଜୀବନ ସହ ଜଡ଼ିତ ଅନେକ ବିଷୟକୁ ନେଇ ସେ ଗବେଷଣା କରିଥିଲେ । ବିଜ୍ଞାନ ଉପରେ ତାଙ୍କର ବହୁ ପ୍ରବନ୍ଧ ଉତ୍କଳ ସାହିତ୍ୟ, ମୁକୁର, ସହକାର ଓ ଆଲୋକ ଆଦି ପତ୍ରିକାରେ ପ୍ରକାଶ ପାଇଥିଲା । ଛାତ୍ରଜୀବନର ବହୁ ଅନନ୍ୟ ଅନୁଭୂତିକୁ ନେଇ ୧୯୮୪ରେ ପ୍ରକାଶିତ ହୋଇଥିଲା ତାଙ୍କ ରଚିତ ‘ମୋ ଛାତ୍ରଜୀବନ’ । ‘ଅକିଞ୍ଚନର ଜୀବନ ସ୍ମୃତି’ ହେଉଛି ତାଙ୍କର ଆତ୍ମଚରିତ ।

ବିଜ୍ଞାନ କ୍ଷେତ୍ରକୁ ଅତୁଳନୀୟ ଅବଦାନ ପାଇଁ ଡ. ପରିଜା ବିପୁଳ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଥିଲେ । ୧୯୫୫ ମସିହାରେ କେନ୍ଦ୍ର ସରକାର ତାଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରିଥିଲେ । ପାଟନା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଭେଙ୍କଟେଶ୍ୱର ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ସମ୍ମାନସୂଚକ ଡି.ଏସ୍‍ସି. ଉପାଧି ଅର୍ପଣ କରାଯାଇଥିଲା । ଏହାବ୍ୟତୀତ ସେ ପାଟନା ବିଶ୍ୱବିଦ୍ୟାଳୟର ଫେଲୋ ମଧ୍ୟ ଥିଲେ ।

୧୯୭୮ ମସିହା ଜୁନ ୨ ତାରିଖରେ କଟକରେ ତାଙ୍କର ଦେହାନ୍ତ ହୋଇଥିଲା ।


ରଚନାବଳୀ

Copyright © 2025 Odia Virtual Academy. All rights reserved      Total Visitors-   1

scroll