ଆବିର୍ଭାବ :- ୧୫-୧୦-୧୯୩୨
ଜନ୍ମସ୍ଥାନ :- ଭଗତପୁର, କଟକ
ଜେନାକବି ମୁରାରିମୋହନ ଭାବରେ ପାଠକ ତଥା ସମକାଳୀନ ଲେଖକମାନଙ୍କ ନିକଟରେ ବେଶ୍ ପରିଚିତ କବି ମୁରାରୀମୋହନ ଜେନା କଟକର ଭଗତପୁରରେ ୧୯୩୨ ମସିହା ଅକ୍ଟୋବର ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ହରେକୃଷ୍ଣ ଜେନା ଓ ମାତା ଥିଲେ କାମିନୀବାଳା ଦେବୀ । ବୃତ୍ତି ଦୃଷ୍ଟିରୁ ଜଣେ ଶ୍ରମ ଅଧିକାରୀ ଭାବରେ ସରକାରୀ ନିଯୁକ୍ତିରେ ଜୀବନ ଅତିବାହିତ କରିଥିଲେ ମଧ୍ୟ ଜଣେ ବିଦ୍ରୋହୀ କବିଭାବେ ସେ ବିଶେଷ ପ୍ରତିଷ୍ଠା ଅର୍ଜନ କରିଥିଲେ । ପ୍ରଚଳିତ ସମାଜ ବ୍ୟବସ୍ଥାରେ ମଣିଷ ମଣିଷ ମଧ୍ୟରେ ଥିବା ବ୍ୟବଧାନ, ଦାରିଦ୍ର୍ୟ ଓ ଶୋଷଣ, କୁସଂସ୍କାର ତଥା ଅନ୍ଧବିଶ୍ୱାସ ଏବଂ ଦୁଃଖୀ ମଣିଷ ପ୍ରତି ‘ଭଗବାନଙ୍କ ଅନ୍ୟାୟ’ର ସେ କଠୋର ସମାଲୋଚକ ଥିଲେ ଯାହା ତାଙ୍କ କବିତାର ଛତ୍ରେ ଛତ୍ରେ ପ୍ରତିବିମ୍ବିତ ହୋଇଛି । ସାହିତ୍ୟ ସର୍ଜନା ସହ ବିଭିନ୍ନ ସାରସ୍ଵତ ଅନୁଷ୍ଠାନ ଗଠନ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ରହିଥିଲା ।
ତାଙ୍କ ରଚିତ ଗ୍ରନ୍ଥାବଳୀ ମଧ୍ୟରେ ରହିଛି : ‘ଶଙ୍କରାଚାର୍ଯ୍ୟ’ (ଜୀବନୀ); ‘ଖରା ଓ ଛାଇ’, ‘ଶୈଶବର ସ୍ଵପ୍ନ’, ‘ହେ ଡାକ୍ତର କୋରାମିନ୍ ବନ୍ଦ କର’, ‘ଭଗବାନ ମୁଁ ତୁମକୁ ଠିଆ ଫାଡ଼ିଦେବି’, ‘ମୋ ନାଁରେ କୁକୁର ପାଳିବ’, ‘ଡାକି ମୁଁ କହୁଛି ମୁରାରି ଜେନା’, ‘ଚୁପ୍କର’, ‘ଆଜି ମୋର ଅଷ୍ଟମରେ ଶନି’, ‘ମୁରାରି ଜେନାଙ୍କ ଶ୍ରେଷ୍ଠ କବିତା’, ‘ମୁରାରି ଜେନାଙ୍କ ଶହେ ଏକ କବିତା’, ‘ମୁଁ ତୁମର ଚାରିମାସ ଜୁତା ସଫା କରିବି’ (କବିତା); ‘ହନୁମାନ ଜନ୍ମ’, ‘ଅହଲ୍ୟା ପରିଣୟ’, ‘ବାଳୀ ସୁଗ୍ରୀବ ଜନ୍ମ’, ‘ଶ୍ରୀ ରାଧାକୃଷ୍ଣ’ (ନାଟକ), ‘ସାହିତ୍ୟିକ ସିଂହାବଲୋକନ’, ‘ସାମନ୍ତ ସିଂହାର ସମୀକ୍ଷା’, ‘ଶ୍ରୀ ଜଗନ୍ନାଥ : ତଥ୍ୟ ଓ ତତ୍ତ୍ଵ’, ‘ପଞ୍ଚ ପ୍ରଦୀପ’ (ଆଲୋଚନା) ‘ସାହିତ୍ୟିକ ଗୋଦାବରୀଶ ମହାପାତ୍ର’, ‘କବିଚନ୍ଦ୍ରଙ୍କ ସଂପର୍କରେ’, ‘ହେ ଦୀନବନ୍ଧୁ ହେ ଗୋପବନ୍ଧୁ’, ‘ପ୍ରଣୟ-ପତର’, ‘ସଭା ଓ ସାହିତ୍ୟ', ‘କବିକଣ୍ଠେ ଶ୍ରୀଜଗନ୍ନାଥ’, ‘ଲକ୍ଷ୍ମୀଧର ନାୟକ’, ‘ଲେଖନୀର ସୁବର୍ଣ୍ଣ ଜୟନ୍ତୀ’, ‘ବାଣୀକଣ୍ଠ ନିମାଇଁ ହରିଚନ୍ଦନ ସ୍ମାରକୀ ଗ୍ରନ୍ଥ', ‘ଆମ ସମୟର କେତୋଟି କବିତା’ ଇତ୍ୟାଦି ।
‘ଗୋଦାବରୀଶ ସ୍ମରଣିକା’, ‘ପ୍ରାଣକୃଷ୍ଣ ସ୍ମରଣିକା’, ‘ବିଛନ୍ଦ ସ୍ମରଣିକା’, ‘ଶାସ୍ତ୍ରୀ ସ୍ମରଣିକା’ ଓ ‘କବି ବାଳକୃଷ୍ଣ ସ୍ମରଣିକା’ ସଂକଳିତ କରିବା ସହ ଜେନାକବି ‘ବିଦ୍ୟୁତ୍’, ‘ତେନ୍ତୁଳିଛାଟ’, ‘ଓଲୁଅ ଡାଙ୍ଗ’ ଓ ‘ଜାଉଁଳିବେତ’ ପ୍ରଭୃତି ସମାଲୋଚନାମୂଳକ ବ୍ୟଙ୍ଗ ପତ୍ରିକା ଏବଂ ‘ଶ୍ରମିକ’ ପତ୍ରିକାର ସଂପାଦନା କରିଥିଲେ ।