ଆବିର୍ଭାବ :- ୧୪-୦୪-୧୮୮୯
ତିରୋଧାନ :- ୨୨-୦୨-୧୯୬୯
ଜନ୍ମସ୍ଥାନ :- ବିରିବାଟୀ, କଟକ
ତତ୍କାଳୀନ କଟକ ଜିଲ୍ଲାର ବିରିବାଟୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ରତ୍ନାକର ପତି । ଅଭାବୀ ପରିବାରର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଥିଲା ତାଙ୍କର ଜୀବନଯାତ୍ରା ଓ ସାଧନା । ପରିବାରର ଅଭାବ ଅନଟନ ସହ ଜଡ଼ିତ ବାଧାବିଘ୍ନକୁ ଭ୍ରୂକ୍ଷେପ ନ କରି ବିରିବାଟୀଠାରୁ ଚାଲି ଚାଲି ସେ ପ୍ୟାରୀମୋହନ ଏକାଡେମୀ ଓ ରେଭେନ୍ସା କଲେଜ ଯିବା ଆସିବା କରୁଥିଲେ । ଅତ୍ୟନ୍ତ କଷ୍ଟସହିଷ୍ଣୁ, ପ୍ରଚଣ୍ଡ ସ୍ଵାଭିମାନୀ ଓ ଆଦର୍ଶବାଦୀଭାବେ ସେ କଲେଜ ଦରମାରୁ ଛାଡ଼ପାଇବା ଲାଗି ଆବେଦନ କରିଥିଲେ । କିନ୍ତୁ ଆବେଦନପତ୍ରରେ ଦାରିଦ୍ର୍ୟର ପ୍ରମାଣପତ୍ର ଦେଇ ନ ଥିଲେ । ପରବର୍ତ୍ତୀ କାଳରେ ଶିକ୍ଷାକ୍ଷେତ୍ରରେ ସର୍ବୋଚ୍ଚ କୃତିତ୍ଵ ହେତୁ ସେ ରେଭେନ୍ସା କଲେଜରେ ଦର୍ଶନ ବିଭାଗ ଓ କିଛିକାଳ ଓଡ଼ିଆ ବିଭାଗରେ ଅଧ୍ୟାପନା କରିଥିଲେ । ପରେ ପ୍ରଫେସର ପଦକୁ ଉନ୍ନୀତ ହୋଇଥିଲେ । ସମୂହ ଭାବଧାରା ଓ ଆଦର୍ଶବାଦ ତାଙ୍କ ବ୍ୟକ୍ତିତ୍ଵର ଭୂଷଣ ଥିଲା । ବହୁ ଅଭାବୀ ଛାତ୍ରଙ୍କପାଇଁ ତାଙ୍କର ସହାୟତା ଥିଲା ଅବାରିତ ।
ଦର୍ଶନ ଗ୍ରନ୍ଥରୁ ସେ ଜୀବନ-ଗଠନକ୍ଷମ ପ୍ରେରଣା ଲାଭ କରିଥିଲେ । ଓଡ଼ିଆ ସାହିତ୍ୟରେ ଉତ୍ତମ ପ୍ରବନ୍ଧର ଅଭାବ ଥିବାରୁ ସେ ସମକାଳୀନ ପତ୍ରପତ୍ରିକାରେ ନିୟମିତଭାବେ ପ୍ରବନ୍ଧ ଲେଖୁଥିଲେ । ‘ହିଷ୍ଟ୍ରି ଅଫ୍ ପିଲୋସଫି’ ନାମରେ ଇଂରାଜୀରେ ଏକ ପୁସ୍ତକ ମଧ୍ୟ ଲେଖିଥିଲେ । ତାଙ୍କ ପ୍ରବନ୍ଧଗୁଡ଼ିକରେ ଦାର୍ଶନିକ ଦୃଷ୍ଟିଭଙ୍ଗୀ, ଆଧ୍ୟାତ୍ମିକ ଚେତନା ଓ ଆଦର୍ଶ ଜୀବନ-ଗଠନକ୍ଷମ ପ୍ରେରଣା ନିହିତ ଥିଲା । ତାଙ୍କ ଲେଖାମାନଙ୍କରେ ସେ ମନୁଷ୍ୟ ଜୀବନର ଜଟିଳ ପ୍ରସଙ୍ଗ ଓ ସମସ୍ୟାର ବିଶ୍ଲେଷଣ ସହ ଶେଷରେ ସମାଧାନରେ ଉପନୀତ ହେବା ନିମନ୍ତେ ଦର୍ଶନର ଆଲୋକବର୍ତ୍ତିକା ତୁଲ୍ୟ ସହାୟତା ଦେଇଥାନ୍ତି । ତାଙ୍କ ବକ୍ତବ୍ୟ ଯୁକ୍ତିନିଷ୍ଠ, ପ୍ରଣାଳୀବଦ୍ଧ ଏବଂ ବିଷୟ ଉପସ୍ଥାପନା ତାତ୍ତ୍ଵିକ, ବିଶ୍ଳେଷଣଧର୍ମୀ ଏବଂ ପ୍ରଭାବ-ସଂଚାରକ୍ଷମ । ଏହା ପାଠକମାନଙ୍କ ମନରେ ଗଭୀର ରେଖାପାତ କରିବାରେ ସହାୟକ ହୋଇଥିଲା ।
ରତ୍ନାକର ପତି ଜଣେ ଉଦାର, ଜ୍ଞାନ-ଗରିମାଯୁକ୍ତ, ଅତୁଳନୀୟ ପ୍ରତିଭାସମ୍ପନ୍ନ, ସାଧୁଭାବାପନ୍ନ ଓ ସଂଯମନିଷ୍ଠ ବ୍ୟକ୍ତି ଥିଲେ । ସରକାରୀ କର୍ମରୁ ଅବସର ଗ୍ରହଣ ପରେ ସେ ବହୁ ସାମାଜିକ ଓ ସାଂସ୍କୃତିକ ସେବା ଅନୁଷ୍ଠାନ ସହ ସମ୍ପୃକ୍ତ ହୋଇଥିଲେ । କିଛିକାଳ ଲାଗି ସେ ଉତ୍କଳ ସାହିତ୍ୟ ସମାଜର ସଭାପତି ରହିଥିଲେ । ଦର୍ଶନ ଓ ସାହିତ୍ୟ ଅନୁଶୀଳନ ଥିଲା ତାଙ୍କର ଜୀବନର ଧାରା । ତାଙ୍କ ପ୍ରବନ୍ଧଗୁଡ଼ିକ ସାଧାରଣତଃ ବୈଜ୍ଞାନିକ-ସିଦ୍ଧାନ୍ତମୂଳକ, ସାଂସ୍କୃତିକ-ଚେତନାସମ୍ପନ୍ନ ଓ ସାହିତ୍ୟ-ଗୌରବମଣ୍ଡିତ । ‘ବିବର୍ତ୍ତନବାଦ’, ‘ସ୍ଵପ୍ନତତ୍ତ୍ଵ’ ଓ ‘ପ୍ରବନ୍ଧ ପ୍ରକାଶ’ ପୁସ୍ତକତ୍ରୟ ତାଙ୍କ ସୃଜନଶୀଳତାର ବଳିଷ୍ଠ ଉଦାହରଣ ।