ଶ୍ରୀ କୁଞ୍ଜବିହାରୀ ତ୍ରିପାଠୀ

ଆବିର୍ଭାବ :- ୦୪-୦୯-୧୯୧୧
ତିରୋଧାନ :- ୧୫-୦୬-୨୦୦୧
ଜନ୍ମସ୍ଥାନ :- ପଥୁରିପଡା, ବାଙ୍କୀ, କଟକ

ଉତ୍କଳ ଭାଷା-ସାହିତ୍ୟର ମଉଡ଼ମଣି ଡଃ କୁଞ୍ଜବିହାରୀ ତ୍ରିପାଠୀ ତତ୍କାଳୀନ ଅବିଭକ୍ତ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ପଥୁରିପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବିଦ୍ୟାର୍ଥୀ ଜୀବନ ଗ୍ରାମ ନିକଟସ୍ଥ ବରପୁଟ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ସେ ବାଙ୍କୀ- ଡମପଡ଼ା ଉଚ୍ଚ ବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ୍‍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ. ପଢ଼ିଥିଲେ । ପାଟନା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ସେ ଆଇନ ମଧ୍ୟ ପଢ଼ିଥିଲେ ।

୧୯୩୮ ମସିହାରେ କୁଞ୍ଜବିହାରୀ ରେଭେନ୍ସା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରିଥିଲେ । ତା ପୂର୍ବରୁ ସେ କିଛିଦିନ ଓକିଲାତି କରିଥିଲେ । ସେ ଓଡ଼ିଆ ଅଭିଲେଖ, ଲିପି, ଭାଷା ଆଦିର ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ଗବେଷଣାତ୍ମକ ନିବନ୍ଧମାନ ରଚନା କରିଥିଲେ । ୧୯୪୯ ମସିହାରେ ଓଡ଼ିଆ ଭାଷା ଉପରେ ଗବେଷଣା କରିବାକୁ ଲଣ୍ଡନ ବିଶ୍ୱବିଦ୍ୟାଳୟ ଯାଇଥିଲେ । ୧୯୫୩ ମସିହାରେ ସେ ପିଏଚ୍‌.ଡ଼ି ହାସଲ କରି ସେଠାରୁ ଫେରିଥିଲେ । ତାଙ୍କ ଗବେଷଣାର ସନ୍ଦର୍ଭ ଥିଲା ‘ଦ ଇଭଲ୍ୟୁସନ ଅଫ ଓଡ଼ିଆ ଲାଙ୍ଗୁଏଜ ଆଣ୍ଡ ସ୍କ୍ରିପ୍ଟ’ । ୧୯୬୮ ମସିହାରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ଯୋଗଦେଇଥିଲେ । ଓଡ଼ିଆ ଭାଷାର ଇତିହାସ, ଲିପିତତ୍ତ୍ୱ, ଭାଷାତତ୍ତ୍ୱ ଆଦି ବିଷୟରେ ସେ ଆଜୀବନ ଗବେଷଣା କରିଥିଲେ । ସେ ସମ୍ମାନଜନକ ସାରଳା ସମ୍ମାନ ଓ ସାହିତ୍ୟ ବିଶାରଦ ପୁରସ୍କାର ପାଇଥିଲେ ।


ରଚନାବଳୀ

Copyright © 2025 Odia Virtual Academy. All rights reserved      Total Visitors-   1

scroll