କୋଣାର୍କର ମୌଳିକ କଳ୍ପନା |
ଡା: ସତ୍ୟନାରାୟଣ ରାଜଗୁରୁ |
ଚମ୍ପୂ କାବ୍ୟର ସୃଷ୍ଟ ବୈଚିତ୍ର୍ୟ |
ଅଧ୍ୟାପକ ଡକ୍ଟର ବନମାଳୀ ରଥ |
‘‘ତପସ୍ୱିନୀ’’ କାବ୍ୟରେ କାଳିଦାସୀୟ ପ୍ରଭାବ |
ଶ୍ରୀ କେଶବ ଚନ୍ଦ୍ର ମେହେର |
କଳିଙ୍ଗ ଇତିହାସର ପୃଷ୍ଠଭୂମି |
ଶ୍ରୀ ଭଗବାନ ପଣ୍ଡା |
ଆଶାପୂର୍ଣ୍ଣାଙ୍କର ଉପନ୍ୟାସକ୍ରୟୀ |
ଶ୍ରୀମତୀ ବସନ୍ତ କୁମାରୀ ଦେବୀ |
‘ମାରଦା ଦେଉଳ’ର ଐତିହାସିକ ବିଭବ |
ଅଧ୍ୟାପକ ଦୁର୍ଗାମାଧବ ନନ୍ଦ |
ଆରିଷ୍ଟଟ୍ଲଙ୍କ ଜୀବନ-ଜିଜ୍ଞାସା ଓ କାବ୍ୟତତ୍ତ୍ୱ |
ଶ୍ରୀ ଦେବେନ୍ଦ୍ର କୁମାର ଦାଶ |
ମୃତ୍ୟୁ ସମ୍ପର୍କରେ ସମ୍ୟକ ଆଲୋଚନା |
ଶ୍ରୀ ରମାକାନ୍ତ ମିଶ୍ର, ଏମ୍.ଏ |
ଏକାଡେମୀ ସମାଚାର |
|
ସମ୍ପାଦକୀୟ ସୂଚନା |
|
୧୯୫୨ ମସିହା । ଓଡ଼ିଶା ଷ୍ଟେଟ୍ ମ୍ୟୁଜିୟମ୍ ଗୋଟିଏ ଶିଶୁ ଅବସ୍ଥାରେ ଥାଏ । କ୍ୟାପିଟାଲ୍ର ଚାରିଆଡ଼େ ଗୃହ ନିର୍ମାଣ କାମ ଚାଲିଥାଏ । କେବେ କେବେ ବିଦେଶୀ ଯାତ୍ରୀମାନେ ଆସନ୍ତି; ମ୍ୟୁଜିୟମ୍ର କ୍ଷୁଦ୍ର ଆଡ଼ମ୍ବରହୀନ ଅବସ୍ଥା ଦେଖି ବୋଧହୁଏ ମନେମନେ କଳନା କରି ନିଅନ୍ତି ଓଡ଼ିଆମାନଙ୍କ ଦୀନ-ହୀନ ଅବସ୍ଥା । କିନ୍ତୁ ଭଦ୍ରତା ଖାତିରରେ ମୁହଁ ଖୋଲି କିଛି କହନ୍ତି ନି । ତାଙ୍କ ଭିତରୁ ଯେଉଁମାନେ ଇତିହାସ କିମ୍ବା ପ୍ରତ୍ନତତ୍ତ୍ୱ ବିଷୟରେ କିଛି ଜାଣିବା ପାଇଁ ଆସନ୍ତି ସେମାନେ ବହୁ ପ୍ରଶ୍ନ କରିଥାନ୍ତି, ପୁରୀ, ଭୁବନେଶ୍ୱର ଓ କୋଣାର୍କ ମନ୍ଦିର ଗୁଡ଼ିକ ସମ୍ବନ୍ଧରେ । କୋଣାର୍କ ଓ ଭୁବନେଶ୍ୱରର ବିଭିନ୍ନ କାରୁକାର୍ଯ୍ୟ ଦେଖି ସେମାନଙ୍କ ମନରେ ବହୁ କୌତୁହଳ ସମସ୍ୟା ଓ ସନ୍ଦେହ ଜାତ ହୁଏ ।
ଥରେ ୟୁରୋପର ଜଣେ ପଣ୍ଡିତ ମୋତେ ପ୍ରଶ୍ନ କଲେ, ‘‘କୋଣାର୍କ ମନ୍ଦିରଟି କ’ଣ ଓଡ଼ିଆ ଶିଳ୍ପୀଙ୍କ କୃତିତ୍ୱ ?’’ ମୁଁ ଆଶ୍ଚର୍ଯ୍ୟ ହୋଇ ତାଙ୍କ ମୁହଁକୁ ଚାହିଁବା ଦେଖି ସେ ଟିକିଏ ହସି ଦେଇ ପୁଣି କହିଲେ, ‘‘କିଛି ମନେ କରନ୍ତୁ ନି, ମୁଁ ଜାଣିବାକୁ ଚାହେଁ, ପ୍ରକୃତରେ ସେ ମନ୍ଦିରଟି କିଏ ଗଢି ପାରିଥିବେ । ଦୁର୍ବଳ-କଙ୍କାଳ-ସାର କୁଶ୍ଚିତ ଓଡ଼ିଆଙ୍କ କଳ୍ପନାରେ ସେପରି ସୁନ୍ଦର ପ୍ରସ୍ତର ମୂର୍ତ୍ତି ଗଢ଼ିବା କ’ଣ ସମ୍ଭବ ହୋଇପାରେ ? ଏ ଦେଶରେ ଯେପରି ଦୁର୍ବଳ ଜୀବଜନ୍ତୁ (ଗୋରୁ ଗାଈ) ସବୁ ଦେଖୁଚି, ସେଠାରେ ବାସ କରୁଥିବା ଶିଳ୍ପୀ କିପରି ବା ବିରାଟ ବିରାଟ ହସ୍ତୀ-ଅଶ୍ୱର ମୂର୍ତ୍ତିଗୁଡ଼ିକ କଳ୍ପନା କରି ପାରିବେ ?’’
ସାହେବଙ୍କ ସନ୍ଦେହ ଦୂର କରିବାକୁ ମୁଁ କହିଲି, ‘‘ମଣିଷ ଜାତିର ଏହାହିଁ ଗୋଟିଏ ଐତିହାସିକ ଇନ୍ଦ୍ରଜାଲ । ଉତ୍ଥାନ-ପତନର ଅତ୍ୟାଶ୍ଚର୍ଯ୍ୟ ଆବର୍ତ୍ତନ ଭିତରେ ମଣିଷ ଯେପରି ଯୁଗ ଯୁଗ ଧରି ଭାସି ଚାଲିଛି, ଠିକ୍ ସେପରି ପ୍ରତି ଦେଶ ଓ ଜାତି ଭାଗ୍ୟରେ ମଧ୍ୟ ଦେଖାଯାଏ । ଦୟାକରି ଆପଣ ଯଦି ଓଡ଼ିଆ ଜାତିର ଅତୀତ ଓ ବର୍ତ୍ତମାନ ଯୁଗର ଇତିହାସ ଅଧ୍ୟୟନ କରନ୍ତି, ତା’ହେଲେ ଏ ପ୍ରଶ୍ନର ଉତ୍ତର ନିଶ୍ଚୟ ପାଇ ପାରିବେ ।’’
ମୋ କଥା ଶୁଣି ସେ ଅଧିକ କିଛି ଜାଣିବାକୁ ଆଗ୍ରହ ପ୍ରକାଶ କଲେ; ପୁଣି ତାଙ୍କ ପକେଟରୁ ଗୋଟିଏ ଖାତା ବାହାର କଲେ,-ମୋଠାରୁ କିଛି ତଥ୍ୟ ଟିପି ନେବାକୁ । ମୋର ମନେ ହେଲା, ବୋଧହୁଏ ସେ ଜଣେ ସାମ୍ବାଦିକ କିମ୍ବା ଅଧ୍ୟାପକ । ଓଡ଼ିଶାର ଇତିହାସ, ବିଶେଷତଃ କୋଣାର୍କ ମନ୍ଦିର ନିର୍ମାଣର ମୌଳିକ ତଥ୍ୟ ସମ୍ବନ୍ଧେ ମୋ ମନରେ ବହୁ ଦିନରୁ ଯେଉଁ ଧାରଣା ଲୁଚିରହି ଥିଲା, ତାହା ତାଙ୍କୁ କହିଲି;-
ଏବେ ଯେଉଁ ରୂପ, ଗୁଣ ଓ ସ୍ୱଭାବ ନେଇ ଓଡ଼ିଆମାନେ ଏ ଦେଶରେ ଦେଖା ଦିଅନ୍ତି, ସାତ ଶହ ବର୍ଷ ପୂର୍ବେ ସେମାନେ ସେପରି ନ ଥିଲେ । ସେତେବେଳେ ଓଡ଼ିଶା ଏକ ଉନ୍ନତ ସ୍ୱାଧୀନ ରାଜ୍ୟ ଥିଲା । ମହାପରାକ୍ରମଶାଳୀ ଗଙ୍ଗବଂଶୀୟ ରାଜାମାନେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିଶାଳ ଭୂଖଣ୍ଡରେ ରାଜତ୍ୱ କରୁଥିଲେ । ସେତେବେଳେ ମୁସଲମାନମାନେ ଭାରତର ଉତ୍ତର ଓ ପୂର୍ବାଞ୍ଚଳର ଅଧିକାଂଶ ପ୍ରଦେଶ ଅଧିକାର କରି ପଞ୍ଜାବଠାରୁ ବଙ୍ଗ ଦେଶ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କଲେ । ଏହାପରେ ଦାକ୍ଷିଣାତ୍ୟ ଆକ୍ରମଣ କରିବାକୁ ଖିଲ୍ଜିବଂଶୀୟ ମୁସଲମାନ ରାଜାମାନେ ଯେତେବେଳେ ପ୍ରସ୍ତୁତ ହୋଇଗଲେ, ଠିକ୍ ସେତିକିବେଳେ ଓଡ଼ିଶାର ସୀମାନ୍ତ ଅଞ୍ଚଳଗୁଡ଼ିକ ବିଶେଷ କରି ମିଦନାପୁରଠାରେ ବଙ୍ଗ ଦେଶକୁ ସ୍ପର୍ଶ କରିଥିବା ଅଞ୍ଚଳ ସୁରକ୍ଷିତ କରିବା ଆବଶ୍ୟକ ହେଲା । ବିଭିନ୍ନ ପ୍ରଦେଶରେ ହିନ୍ଦୁମାନଙ୍କ ମନ୍ଦିର ଓ ଦେବଦେବୀଙ୍କ ମୂର୍ତ୍ତିମାନ ଧ୍ୱଂସ ହେବା ଦେଖି ହିନ୍ଦୁଜାତି ଭୀତ-ତ୍ରସ୍ତ ହୋଇ ପଡ଼ିଲେ । ସେତେବେଳେ ଓଡ଼ିଶା ହିଁ ଥିଲା ହିନ୍ଦୁମାନଙ୍କର ଏକମାତ୍ର ଆଶ୍ରୟ କେନ୍ଦ୍ର । ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଭୁବନେଶ୍ବରର ଶ୍ରୀ ଲିଙ୍ଗରାଜ ମନ୍ଦିର ଠାରେ ହିନ୍ଦୁ ସଂପ୍ରଦାୟର ଉନ୍ନତ ଧର୍ମ ସଂସ୍ଥାଗୁଡ଼ିକ ସ୍ଥାପିତ ହୋଇ ଥିବାରୁ, ପୁଣି ଓଡ଼ିଶା ଗୋଟିଏ ବଳିଷ୍ଠ ଓ ସ୍ୱାଧୀନ ହିନ୍ଦୁ ରାଜ୍ୟରୂପେ ଖ୍ୟାତି ଲାଭ କରିଥିବାରୁ ବିଭି୍ନ୍ନ ଅଞ୍ଚଳରୁ ହିନ୍ଦୁମାନେ ଉଠିଆସି ସେଠାରେ ବସତି ସ୍ଥାପନ କଲେ । ଏହା ଫଳରେ ପୁରୀ ଓ ଭୁବନେଶ୍ୱର ମନ୍ଦିରଗୁଡ଼ିକ ଧ୍ୱଂସ କରିବାକୁ ମୁସଲମାନମାନେ ଅଧିକ ତତ୍ପର ହେବା ସ୍ୱାଭାବିକ; ତେଣୁ ସେଥିର ସୁରକ୍ଷା ନିମନ୍ତେ ଓଡ଼ିଶାର ଗଜପତି ମହାରାଜ ନରସିଂହ ଦେବ ଚନ୍ଦ୍ରଭାଗା ନଦୀ ମୁହାଣରେ ଗୋଟିଏ ବିରାଟ ସୈନ୍ୟ-ଶିବିର ପ୍ରତିଷ୍ଠା କରନ୍ତି । ଜଳ ଓ ସ୍ଥଳପଥରୁ ଶତ୍ରୁ ଆକ୍ରମଣ ପ୍ରତିରୋଧ କରି ଉଭୟ ଧର୍ମକେନ୍ଦ୍ର ସୁରକ୍ଷିତ କରିବା ପାଇଁ କୋଣାର୍କ ଗୋଟିଏ ଉପଯୁକ୍ତ ସ୍ଥାନ; ତେଣୁ ସେଠାରେ ସୈନ୍ୟ ଯୋଗାଇବା ସାମରିକ ଶିବିର (Reserved Military Cantonment) ସ୍ଥାପିତ ହୋଇଥିବା ସମ୍ଭବ ।
ଭୌଗୋଳିକ ପରିସ୍ଥିତି ଦୃଷ୍ଟିରୁ ପୁରୀ ଓ ଭୁବନେଶ୍ୱର ମଧ୍ୟରେ ସାମରିକ ଘାଟି ସକାଶେ କୋଣାର୍କ ହିଁ ଥିଲା ସର୍ବୋତ୍କୃଷ୍ଟ ସ୍ଥାନ । କେତୋଟି କ୍ଷୁଦ୍ର କ୍ଷୁଦ୍ର ନଦୀର ସମାବେଶ ପୁଣି ସମୁଦ୍ରର ଉପକୂଳ ହେତୁ ତାହା ଗୋଟିଏ ପ୍ରାକୃତିକ ଜଳ ଦୁର୍ଗ ପରି ସୁରକ୍ଷିତ ହୋଇଥିଲା । ଏହା ବ୍ୟତୀତ ଚତୁର୍ଦ୍ଦିଗରେ ନିଘଞ୍ଚ ତାଳ, ନାରିକେଳ, କଦଳୀ ପ୍ରଭୃତି ଫଳବୃକ୍ଷ ସଙ୍ଗେ ସୁବିସ୍ତୃତ ଉର୍ବର ଶସ୍ୟ କ୍ଷେତ୍ରର ଅବସ୍ଥିତ ହେତୁ ଖାଦ୍ୟ-ସାମଗ୍ରୀର ଆଦୌ ଅଭାବ ନ ଥିଲା । ଏଣୁ ସେଠାରେ ଦୀର୍ଘ କାଳ ଧରି ହଜାର ହଜାର ସୈନ୍ୟ ଓ ହସ୍ତୀ, ଅଶ୍ୱାଦି ପଶୁ ରହି ପାରୁଥିଲେ । ଅଦ୍ୟାପି ସେ ଅଞ୍ଚଳଟି ଓଡ଼ିଶାର ଏକ ଶସ୍ୟ ଭଣ୍ଡାର ହୋଇ ରହିଛି । ସର୍ବୋପରି ଅଗାଧ ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ୟରେ ନୀଳ-ତରଙ୍ଗ ସମାକୁଳ ସାଗର ଗର୍ଭରେ ସୁର୍ଯୋଦୟ ଏକ ବିଚିତ୍ର ସ୍ୱପ୍ନ ରାଜ୍ୟର ସୃଷ୍ଟି କରି ଥିବାରୁ ତାହା ‘ଅର୍କକ୍ଷେତ୍ର’ ନାମକୁ ପ୍ରାଣବନ୍ତ କରିଛି । ସେପରି ଏକ ସ୍ୱାସ୍ଥ୍ୟକର ଓ ଲୋଭନୀୟ ସ୍ଥାନରେ ମହାରାଜା ନରସିଂହ ଦେବ ସୈନ୍ୟ-ସାମନ୍ତ ସହ ଶିବିରରେ ବହୁକାଳ ଅବସ୍ଥାନ କଲେ ।
ହଜାର ହଜାର ସୈନ୍ୟ ବେକାର ବସି ରହିବା ଦେଖି ସେମାନଙ୍କ ବ୍ୟାୟାମ ଓ କର୍ମଠ ବ୍ୟବସ୍ଥା ପାଇଁ ରାଜା ଓ ଅମାତ୍ୟମାନେ କିଛି ଗୋଟଏ ପ୍ରକଳ୍ପ ଯେ ସ୍ଥିର କରିଥିବେ ଏଥିରେ ସନ୍ଦେହ ନାହିଁ । ସୁଦୂର ପାହାଡ଼ିଆ ଅଞ୍ଚଳରୁ ଚନ୍ଦ୍ରାଭାଗା ନଦୀପଥରେ ବିରାଟ ବିରାଟ ପ୍ରସ୍ତରମାନ ଆଣି ଏକ ସ୍ଥାନରେ ସ୍ତୂପ କରିବା ଫଳରେ ସେହି ପ୍ରକଳ୍ପ କାର୍ଯ୍ୟକାରୀ ହେଲା; ପୁଣି ସେଥି ସଙ୍ଗେ କୋଣାର୍କ ମନ୍ଦିର ପରି ଏକ ଉତ୍କୃଷ୍ଟ ଶିଳ୍ପକଳା ସମ୍ପଦ ନେଇ ସେହି ନିର୍ଜନ ବେଳା ଭୂମି ହସି ଉଠିଲା । ପରେ ତାହା ଗୋଟିଏ ତୀର୍ଥକ୍ଷେତ୍ରରେ ପରିଣତ ହେଲା ।
ସ୍ୱୟଂ ଗଜପତି ମହାରାଜା ନରସିଂହଦେବ ତାଙ୍କ ମନ୍ତ୍ରୀ, ଅମାତ୍ୟ ଏବଂ ପରିବାର ସଙ୍ଗେ ଯେଉଁଠାରେ ଅବସ୍ଥାନ କରିଥିଲେ ସେଠାରେ ତାଙ୍କ ରାଜ୍ୟର ଶ୍ରେଷ୍ଠ ପଣ୍ଡିତ, କବି, କଳାକର, ଶିଳ୍ପୀ, ସଙ୍ଗୀତଜ୍ଞ ଓ ନର୍ତ୍ତକୀମାନଙ୍କର ସମାବେଶ ହୋଇଥିବ ଏଥିରେ ଆଦୌ ସନ୍ଦେହ ନାହିଁ । ଓଡ଼ିଶା ଇତିହାସର ସେହି ଗୌରବମୟ-ଉଜ୍ଜ୍ୱଳ-ଯୁଗର ସାମଜିକ-ଚିତ୍ରହିଁ କୋଣାର୍କ-ମନ୍ଦିରର ପ୍ରତି ପ୍ରସ୍ତର ଫଳକରେ ଆତ୍ମପ୍ରକାଶ କରିଛି । ଏପରି ଏକ ମନ୍ଦିର ସୃଷ୍ଟି କରିଥିବା ଶିଳ୍ପୀମାନେ ସେତେବେଳେ ଯେଉଁ ବଳିଷ୍ଠ ଯୁଦ୍ଧ-ସଜ୍ଜା ଦେଖିଥିଲେ, ସେ ସବୁ ଜୀବନ୍ତ କରି ପ୍ରସ୍ତର ଗାତ୍ରରେ ଫୁଟାଇ ରାଜାଙ୍କଠାରୁ ପ୍ରଶଂସା ଓ ପୁରସ୍କାର ପାଉଥିଲେ । ବିରାଟକାୟ ହସ୍ତୀ, ଅଶ୍ୱ ପ୍ରଭୃତି ସମାରିକ ବ୍ୟାପାରରେ ଉପଯୋଗୀ ପଶୁ ସଙ୍ଗେ ଯୁଦ୍ଧଯାତ୍ରା, ସୈନ୍ୟ-ଚାଳନା, ରାଜାଙ୍କ ପାରିଧିଦୃଶ୍ୟ, ସୁନ୍ଦରୀ ନର୍ତ୍ତକୀଙ୍କ ନୃତ୍ୟକଳାପ, ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ଏବଂ କାମଶାସ୍ତ୍ର ସମ୍ପର୍କୀୟ ବନ୍ଧାଦିର ଅଦ୍ଭୁତପୂର୍ବ କାରୁକାର୍ଯ୍ୟ ସେହି ଓଡ଼ିଆଶିଳ୍ପୀ ହିଁ ସ୍ୱୀୟ କୃତିତ୍ୱର ପରାକାଷ୍ଠା-ରୂପେ କୋଣାର୍କ ମନ୍ଦିର ଗାତ୍ରରେ ଦର୍ଶାଇ ଅଛନ୍ତି ।
ଯେଉଁ ସମୟରେ ଓଡ଼ିଆ ଜାତି ଅଭାବ କ’ଣ ଜାଣି ନ ଥିଲେ, ଦେଶରେ ପ୍ରଚୁର ପରିମାଣରେ ଶସ୍ୟ ଉତ୍ପନ୍ନ ହେଉଥିଲା; ଶାରୀରିକ ବ୍ୟାୟାମ କରି ହୃଷ୍ଟ-ପୁଷ୍ଟ ଓ କର୍ମ ଦକ୍ଷ ଥଲେ; ଯୁଦ୍ଧରେ ଶତ୍ରୁ ସୈନ୍ୟଙ୍କୁ ପରାସ୍ତ କରି ଦେଶ ଓ ଜାତିର ମହତ୍ୱ ଅକ୍ଷୁର୍ଣ୍ଣ ରଖିଥିଲେ, ଶିଳ୍ପ ଓ ବାଣିଜ୍ୟର ପ୍ରାଚୁର୍ଯ୍ୟହେତୁ ଯଥେଷ୍ଟ ଧନ-ବିଭବ ପୁରିଥିଲା; ପ୍ରଜାମାନେ ଧର୍ମପ୍ରାଣ ଓ ନୀତି-ପରାୟଣ ଥିଲେ ; ପ୍ରଜାଙ୍କପ୍ରତି ରାଜାଙ୍କ କର୍ତ୍ତବ୍ୟ ସୁଦୃତ ଥିଲା ; ଶିକ୍ଷା ସଂସ୍କୃତି ଓ ସ୍ୱାସ୍ଥ୍ୟ ଜାତୀୟ ମେରୁଦଣ୍ଡକୁ ବଳିଷ୍ଠ କରି ଗଢ଼ିଥିଲା ; ସତ୍ୟ ଓ ସଭ୍ୟତା ଥିଲା ସମସ୍ତଙ୍କର ସାଧାରଣ ବିଳାସ; ରାଜ୍ୟର ଆଭ୍ୟନ୍ତରୀଣ ଶାନ୍ତି -ଶୃଙ୍ଖଳା ପ୍ରତି ପ୍ରତ୍ୟେକ ଆବାଳ-ବୃଦ୍ଧ-ବନିତା ସତର୍କ ରହିଥିଲେ; ସାମାଜିକ ଆଚାର ଓ ଧର୍ମ ବ୍ୟବସ୍ଥା ପ୍ରଜାମାନଙ୍କୁ ଉତ୍ଫୁଲ୍ଲ କରିଥିଲା; କବି, ପଣ୍ଡିତ, ଜ୍ଞାନୀ, ସନ୍ଥ, ସନ୍ନ୍ୟାସୀ ପ୍ରଭୃତି ଗଣ୍ୟମାନ୍ୟ ଲୋକେ କି ରାଜା, କି ପ୍ରଜା ସମସ୍ତଙ୍କର ଭକ୍ତି ଓ ଗୌରବ-ଭାଜନ ଥିଲେ; ଲୋକଙ୍କର ପରକାଳ-ବିଶ୍ୱାସ ସୁଦୃଢ଼ ହୋଇଥିଲା ; କର୍ମ ଭେଦରେ ଜାତି ସମୁହ ନିୟନ୍ତ୍ରିତ ହୋଇ ସାମାଜିକ କର୍ତ୍ତବ୍ୟବୋଧ ସଙ୍ଗେ ସେମାନଙ୍କ ପରସ୍ପରର ସ୍ନେହ ସୌହାର୍ଦ୍ଦ୍ୟ କୌଣସିମତେ କ୍ଷୁର୍ଣ୍ଣ ହୋଇ ନ ଥିଲା; ଅଭାବଗ୍ରସ୍ତ ଲୋକଙ୍କୁ ଉପଯୁକ୍ତ କ୍ଷେତ୍ରରେ ଦାନଦେବା ଥିଲା ପରମ ଧର୍ମ ଓ କୀର୍ତ୍ତି ସମ୍ପାଦନ କରିବା ମୁଖ୍ୟ ବିଳାସ; ବ୍ୟବସ୍ଥାପକ ପଣ୍ଡିତ ଓ ଅଭିଜ୍ଞ କର୍ମଚାରୀଙ୍କ ପରାମର୍ଶକ୍ରମେ ରାଜ୍ୟଶାସନ କାର୍ଯ୍ୟ ଧର୍ମଶାସ୍ତ୍ର ବିଧିରେ ଚଳାଉ ଥିଲେ; କେବେ କେଉଁ କଠିନ ସମସ୍ୟାର ସମ୍ମୁଖୀନ ହୋଇ ରାଜା ଶ୍ରୀଜଗନ୍ନାଥଙ୍କ ଠାରୁ ନିର୍ଦ୍ଦେଶ ପାଇ ତଦନୁସାରେ କାର୍ଯ୍ୟ କରିବା ମଧ୍ୟ ସମ୍ଭବ ହେଉଥିଲା ।
ସେହି ଉନ୍ନତ ସ୍ୱର୍ଣ୍ଣ-ଯୁଗଟି ଆଜି ଦୁର୍ଭାଗ୍ୟକ୍ରମେ ଏ ଜାତି ହରାଇ ଦେଇଛି, ତେଣୁ ସେ ଅଭାବଗ୍ରସ୍ତ ଓ ଭିକାରୀ!
ସାହେବ ଅତି ଆଗ୍ରହରେ ଏ ସବୁ ଶୁଣି କହିଲେ, ଦୟାକରି ମୋତେ କହନ୍ତୁ, କେଉଁ ବହିରୁ ସଂକ୍ଷେପରେ ଏ ସବୁ ଜାଣି ପାରିବି ?
ସେତେବେଳେ ରଖାଲଦାସ ବାନାର୍ଜୀଙ୍କ History of Orissa (ଦୁଇଭାଗ)ହିଁ ଇଂରାଜୀ ଭାଷାରେ ଲେଖା ହୋଇଥିବା ସର୍ବଶେଷ ଓଡ଼ିଶା ଇତିହାସ ରୂପେ ଗୃହୀତ ହେଉଥିଲା, ତେଣୁ ମୁଁ ତାଙ୍କୁ ସେ କଥା କହିଲି ।
ଓଡ଼ିଶା ଇତିହାସରେ ଓଡ଼ିଆଙ୍କ ଜାତୀୟ ଗୌରବ ଅଦ୍ୟାପି ଅଧିକାଂଶ କ୍ଷେତ୍ରରେ ପ୍ରକାଶ ହୋଇପାରି ନାହିଁ । ଆମେ ସାଧାରଣତଃ ରଜନୈତିକ ଇତିହାସକୁ ଉଚ୍ଚ ସ୍ଥାନ ଦେଇ ଥାଉଁ । ବ୍ରିଟିଶ୍ ଶାସନ ବେଳେ ରାଜା ଓ ରାଜକୀୟ କାର୍ଯ୍ୟ କଳାପକୁ ଆଧାର କରି ଇତିହାସ ଲେଖାଯାଉ ଥିଲା । ତାହାହିଁ ସ୍କୁଲ-କଲେଜର ଛାତ୍ରମାନେ ଘୋଷି ଘୋଷି ପରୀକ୍ଷା ଦେଉଥିଲେ । କିନ୍ତୁ କୌଣସି ଦେଶ ବା ଜାତିକୁ ଚିହ୍ନିବାକୁ ହେଲେ ଯେଉଁସବୁ ସାମାଜିକ, ଅର୍ଥନୈତିକ, ସାହିତ୍ୟ, କଳା ଓ ବିଜ୍ଞାନ ସମ୍ପର୍କୀୟ ତଥ୍ୟ ଗୁଡ଼ିକ ଯୁଗଯୁଗ ଧରି ଦେଶ ଓ ଜାତିକୁ ବଞ୍ଚାଇ ରଖିଥିଲା, ତାହା ସର୍ବପ୍ରଥମେ ଅନୁଧ୍ୟାନ କରିବା ଆବଶ୍ୟକ । ଏହି ଲକ୍ଷ୍ୟରେ ବୋଧହୁଏ ଭାରତୀୟ ବିଦ୍ୟାଭବନ ପକ୍ଷରୁ History and Culture of the People of India ନାମରେ କେତେ ଖଣ୍ଡ ପୁସ୍ତକ ବିଭିନ୍ନ ବିଦ୍ୱାନ୍ ମାନଙ୍କ ଦ୍ୱାରା ଲେଖାଯାଇ ପ୍ରକାଶ ପାଇଛି । କିନ୍ତୁ ଓଡ଼ିଶା ପରି ଏକ ରାଜ୍ୟ, ଯେଉଁଠାରେ ଭାରତର ବିଭିନ୍ନ ସଭ୍ୟତାର ସମାବେଶ ଘଟି, ଯୁଗଯୁଗ ଧରି ଭାରତୀୟ ଧର୍ମ ଓ ସଭ୍ୟତାର ମହନୀୟ ସଂଯୋଗ ସମ୍ଭବ ହୋଇଥିଲା-ସେହି ପବିତ୍ର ଉତ୍କଳର କଳା ଓ ସଂସ୍କୃତି ସଙ୍ଗେ ଇତିହାସ, ଧର୍ମ ଓ ସାହିତ୍ୟର ଗବେଷଣାତ୍ମକ ତଥ୍ୟ ଗୁଡ଼ିକ ସଂଯତ ଓ ସମନ୍ୱିତ ପଦ୍ଧତିରେ ଯଦି ଲେଖା ହୋଇ ପାରନ୍ତା, ତା’ହେଲେ ପୃଥିବୀରେ ଏ’ ଜାତି ଯେ ଯଥେଷ୍ଟ ସମ୍ମାନିତ ଆସନା ପାଇପାରନ୍ତା, ଏଥିରେ ଆଦୌ ସନ୍ଦେହ ନାହିଁ ।
ଦିନ ଥିଲା, ଯେତେବେଳେ କେବଳ ଓଡ଼ିଆ ସାହିତ୍ୟ କାହିଁକି ସମଗ୍ର ଭାରତୀୟ ସାହିତ୍ୟରେ କବି ପ୍ରେରଣାର ଉତ୍ସ ଥିଲେ ଦୁଇଟି ଅନବଦ୍ୟ ଚରିତ୍ର ରାଧା ଓ କୃଷ୍ଣ । ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ କେତୋଟି କାଳ୍ପନିକ କାବ୍ୟକୁ ଛାଡ଼ିଦେଲେ ସମଗ୍ର ବୈଷ୍ଣବ ସାହିତ୍ୟ ରାଧା କୃଷ୍ଣାଶ୍ରିତ ପ୍ରେମ ବ୍ୟଞ୍ଜନାରେ ମୁଖରିତ ଓ ଋଦ୍ଧିମତ । ବୈଷ୍ଣବ ଧର୍ମୀୟ ବିଚାର ପରମ୍ପରାର ପରିପ୍ରେକ୍ଷୀରେ କେହି କେହି ସେହି ପ୍ରେମ ବ୍ୟାପାରକୁ ବୈଧ, ଅବୈଧ ତଥା ପ୍ରାକୃତ ଅପ୍ରାକୃତ ବୋଲି ଚିହ୍ନିତ କରି ନାନା ଜଟିଳ କଳ୍ପନା ମାଧ୍ୟମରେ ତାହାର ଧାର୍ମିକତା ଓ ଦାର୍ଶନିକତା ପ୍ରତିଷ୍ଠା କରିବାପାଇଁ ଯତ୍ନ କରିଥିଲେ ମଧ୍ୟ କବିସୂର୍ଯ୍ୟଙ୍କ ଚମ୍ପୂରେ ରାଧାକୃଷ୍ଣଙ୍କ ଭିତରେ ପ୍ରେମ ପାଗଳ ଦୁଇଟି ଚିରନ୍ତନ ତରୁଣ ତରୁଣୀଙ୍କର ବହୁ ଆକାଙ୍କ୍ଷିତ ମିଳନର ଦୁର୍ବାର ଅଭିଳାଷ ଏକାନ୍ତଭାବରେ ଦୃଷ୍ଟିଗୋଚର ହୁଏ । ସହଜ ସ୍ୱାଭାବିକ ଚିରନ୍ତନ ମାନବିକ ପ୍ରେମର ସୂକ୍ଷ୍ମ ଅନୁଭୂତି ସମୂହ ଚମ୍ପୂ କାବ୍ୟରେ ଯେଉଁ କଳାତ୍ମକ ରୂପ ଗ୍ରହଣ କରିଛନ୍ତି ତାହାର ଅଭିନବ ପରିକଳ୍ପନା ଓ ସାର୍ଥକ ପରିପ୍ରକାଶରେ କବିସୂର୍ଯ୍ୟଙ୍କ କବିତ୍ୱପୂର୍ଣ୍ଣ ଦକ୍ଷତା ବୋଧହୁଏ ସମଗ୍ର ଓଡ଼ିଆ ସାହିତ୍ୟରେ ଏକାନ୍ତ ବିରଳ । କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ କାବ୍ୟରେ ରାଧାକୃଷ୍ଣଙ୍କ ମିଳନକୁ ଶ୍ୟାମ ଗୌର ଦୁଇ ମହର ମିଳନ ବୋଲି ବର୍ଣ୍ଣନା କରାଯାଇଥିବାରୁ ସାଂଖ୍ୟ ଦର୍ଶନ ସମ୍ମତ ପ୍ରକୃତି ଓ ପୁରୁଷର ମିଳନ ବୋଲି ବ୍ୟାଖ୍ୟା କରାଯାଉଥିଲେ ମଧ୍ୟ କେହି କାବ୍ୟର ସମଗ୍ର ଓଡ଼ିଆ ଛାନ୍ଦରେ କେଉଁଠି ହେଲେ ରାଧାକୃଷ୍ଣଙ୍କ ଚଳଣି, ଚିନ୍ତା ଓ ଚରିତ୍ରରେ ଅତିମାନବିକତାର ଆରୋପ କରାଯାଇ ନାହିଁ । ବରଂ ଏଠାରେ ମାନବୋଚିତ ପ୍ରେମର ପରିପୂର୍ଣ୍ଣ ପ୍ରକାଶ ଓ ସ୍ୱଚ୍ଛନ୍ଦ ବିକାଶ ଘଟିଛି । ସେଥିପାଇଁ କବିସୂର୍ଯ୍ୟଙ୍କ ଚମ୍ପୂ ସମଗ୍ର ଓଡ଼ିଆ ପାଠକ ମହଲରେ ଆଗି ଏତେ ପ୍ରିୟ ଓ ଆଶାତୀତଭାବେ ଆପଣାର ହୋଇପାରିଛି । ଚମ୍ପୂର କାବିକ୍ୟ ପରିକଳ୍ପନା, ଶ୍ରୁତି ମଧୁର ସାଙ୍ଗୀତିକତା, ଭବବୈଚିତ୍ର୍ୟ ଓ ନିର୍ବାଚିତ ଶବ୍ଦବିନ୍ୟାସ ରୀତି, ଓଡ଼ିଆ ସାହିତ୍ୟରେ ସମ୍ପୂର୍ଣ୍ଣ ନୂତନ ନ ହେଲେ ମଧ୍ୟ ଏସୁବର ଅନ୍ତରାଳରେ କବି ପ୍ରେମବିହ୍ୱଳ ମିଳନାକାଙ୍କ୍ଷୀ ଦୁଇଟି ପ୍ରାଣର ଆଶା ଆକାଙ୍କ୍ଷା, ନିନ୍ଦା-ପ୍ରଶଂସା, ହର୍ଷ ବିଷାଦ ଓ ଅତ୍ୟଧିକ ଆଶଙ୍କା ପ୍ରପୀଡ଼ିତ ଭବୋଚ୍ଛ୍ୱାସର ଲଳିତ କଳାତ୍ମକ ଅଭିବ୍ୟକ୍ତି, ଯେଉଁ ଅସାଧାରଣ ତଥା ଅଭିନବ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ମଧ୍ୟଦେଇ ପ୍ରକାଶ କରିଛନ୍ତି, ତାହା ହିଁ ଚମ୍ପୂ କାବ୍ୟର ସର୍ବଶ୍ରେଷ୍ଠ ପ୍ରଣିଧାନ ଯୋଗ୍ୟ ବିଷୟ ।
‘‘ଆଦୌ ବାଚ୍ୟଃ ସ୍ତ୍ରିୟାରାଗଃ ପଶ୍ଚାଦ୍ ପୁସଂ ସ୍ତଦିଙ୍ଗିତେଃ’’
ସଂସ୍କୃତ ସାହିତ୍ୟର ଚଳଣିର ନିଃଷ୍ଣାତ କବିସୂର୍ଯ୍ୟ, ଚିରାଚରିତ ରୀତିରେ ପ୍ରଥମେ କାବ୍ୟ ନାୟିକାର ଅନୁରାଗ ବ୍ୟକ୍ତ କରି କାହାଣୀର ସୂତ୍ରପାତ କରିଛନ୍ତି । ଅନୁରାଗର ଏହି ଅଙ୍କୁରୋଦ୍ଗମ ଅନୁଭୂତିର ତୀବ୍ରତାରେ ପରିବର୍ଦ୍ଧିତ ହୋଇ ଦୈହିକ ମିଳନର ମହାସୁଖ ରୂପକ ସ୍ୱାଭାବିକ ପରିଣତିରେ ପହଞ୍ଚିଛି । ଯାହାକି ଏକାନ୍ତ ଭାବରେ ପୁଷ୍କଳ ଓ ପ୍ରାଣ ପ୍ରାଚୁର୍ଯ୍ୟରେ ଉର୍ଜ୍ୱସ୍ୱଳ। ଏଣୁ ଏହାର କଥାବସ୍ତୁ ଅତି ସାମାନ୍ୟ ହେଲେ ମଧ୍ୟ ସୃଷ୍ଟି କୁଶଳତା ପଦେ ପଦେ ଅସାମାନ୍ୟ କଳାଶ୍ରୀ ବିମଣ୍ଡିତ ହୋଇପାରିଛି ।
କୁଳବଧୂ ରାଜନନ୍ଦିନୀ କିଶୋରୀ ରାଧା ଦିନେ ନିଜ ବାସଭବନର ବାତାୟନ ପଥେ ଠିଆ ହୋଇ ବନଭୂମିର ସ୍ନିଗ୍ଧ ଶ୍ୟାମଳରୂପ ଦେଖୁଥିଲେ, କଳ୍ପ ଲୋକର ଅସଂଖ୍ୟ ଇନ୍ଦ୍ରଧନୁ ତାଙ୍କର ତନ୍ଦ୍ରାତୁର ମନକୁ ଆଚ୍ଛନ୍ନ କରି ରଖିଥିଲା । ଏତିକି ବେଳେ ଯମୁନା କୂଳରେ କେଳି କଦମ୍ବଲତାରେ ଅନିନ୍ଦ୍ୟ ସୁନ୍ଦର ଲୀଳା-ବିଳାସୀ ଚପଳ ଚଟୁଳ କିଶୋର କୃଷ୍ଣଙ୍କ ତନୁଲତା ଉପରେ ହଠାତ୍ ତାଙ୍କର ଦୃଷ୍ଟି ପଡ଼ିଗଲା । କୃଷ୍ଣଙ୍କର ମନମୋହନ ରୂପ, ଚାଲିଚଳଣ, ବେଶଭୂଷା ଓ ବଂଶୀବାଦନ ପଟୁତା ବିଷୟରେ ରାଧା ଆଗରୁ ବହୁତ କଥା ଶୁଣିଥିଲେ, କିନ୍ତୁ କେବେ ହେଲେ ସେ ମନର ମଣିଷଟିକୁ ସ୍ୱଚକ୍ଷୁରେ ଦେଖି ନ ଥିଲେ, ଆଜି ତାଙ୍କର ଆଖି ଲାଖିଗଲା । ଦେହ ଥରି ଉଠିଲା, ସେ ସର୍ବାଙ୍ଗରେ ଗୋଟିଏ ଅପୂର୍ବ ପୁଲକ ଅନୁଭବ କଲେ । ମନଟି ନିଜ ଅଧୀନରେ ଆଉ ରହିଲା ନାହିଁ । ସେ ନିଜର ପାରିପାର୍ଶିକ ଅବସ୍ଥା, ସାମାଜିକ ବନ୍ଧନ, କର୍ତ୍ତବ୍ୟ ନ୍ୟାୟ, ଅନ୍ୟାୟ କଥା ଯେତେ ଭାବିଲେ ମଧ୍ୟ ଅମାନିଆ ମନ କିଛି ମାନିଲା ନାହିଁ । ବେଳକୁ ବେଳ ଅସନ ବସନ ପିତା ହେଲା । ଆଖିରେ ନିଦ ନାହିଁ, କେତେ ରଙ୍ଗର ଲୋଭ, ମନରେ ଅଜସ୍ର ପ୍ରଜାପତିର ବିଚିତ୍ର ଡେଣା । ସେ ଆନମନା ହେଲେ, କେବଳ ସେଇ କୃଷ୍ଣଙ୍କ ସାନ୍ନିଧ୍ୟ ପାଇଁ କଲବଲ ଛଟପଟ ହେବାକୁ ଲାଗିଲେ। ଅବସ୍ଥା ଅସମ୍ଭାଳ ହେବାରୁ ତା ପରଦିନ ସେ କିଂକର୍ତ୍ତବ୍ୟବିମୂଢ଼ ହୋଇ ନିଜର ଅନ୍ତରଙ୍ଗ ସଖୀ ଲଳିତା ଆଗରେ ଅତି ସନ୍ତର୍ପଣରେ ମନକଥା ସବୁ ଖୋଲି କହିଦେଲେ । ଲଳିତା ଗୋଟିଏ ସାଧାରଣ ଦାସୀ ନୁହେଁ, ସେ ରାଧାଙ୍କର ସମବୟସୀ ଓ ଅତି ଆପଣାର ଜଣେ ସ୍ନେହଶୀଳା ସଖୀ । ରାଧାଙ୍କର ପୂର୍ଣ୍ଣ ବିଶ୍ୱାସ ଯେ ସେ ବଡ଼ ବୁଦ୍ଧିମତୀ ଓ ତାର ଉପସ୍ଥିତ ବୁଦ୍ଧି ତଥା ତାର ପ୍ରଖର ଚାତୁର୍ଯ୍ୟ ଅସମ୍ଭବକୁ ସମ୍ଭବ କରି ପାରେ । ଏଣୁ ଏ କ୍ଷେତ୍ରରେ ସେ ଏକ ମାତ୍ର ଅବଲମ୍ବନ । କିନ୍ତୁ ହେଲା କ’ଣ ? ଚତୁରୀ ଲଳିତା ନିଜ ପ୍ରାଣ ସଖୀର ବିବଶତା ଓ ଦୁର୍ବଳତା ଟିକକ ଜାଣିପାରି ଏ ସୁଯୋଗର ପୂର୍ଣ୍ଣ ସଦୁପଯୋଗ କରିବା ପାଇଁ ମିଥ୍ୟା ଗାମ୍ଭୀର୍ଯ୍ୟ ପ୍ରକାଶ କରି କହିଲା- ‘ସଖୀ, ତୁ ବଡ଼ ଖରାପ ହେଲୁଣି, କି ସାହସ ତୁ ନ କଲୁ ? ଜାଣୁ ଜାଣୁ ସିନା ବିପଦ ବରି ଆଣିଲୁ । ରାଜଅନ୍ତଃପୁରର ବନ୍ଦିନୀ କୁଳବଧୁ ହୋଇ ପର ପୁରୁଷରେ ମନ ବଳାଇବା ‘‘ଖିଆଲ ପରିକି ଧନ ମନରେ ଭାବିଲୁ’’ ମତେ ଆଗରୁ ‘‘ପଦେ ନ କହିଲୁ’’ କାହିଁକି ?
ଲଳିତାର ଏପରି କଥାରେ ରାଧା ମର୍ମାହତ ହୋଇ କହିଲେ ରେ ସଙ୍ଗାତ, ଗଲା କଥାତ ଗଲାଣି, ଯାହା ହେବାର ହେଲାଣି, ଗୋଡ଼ ଖସି ଗଲାଣି । ଏବେ ଦରଦ ଯିବାର ଉପାୟ କହ, ଆଉ ସାବଧାନୀ ବାଣୀ ଶୁଣାନା । ମୋର ବ୍ୟଥା ବଳି ପଡ଼ିବାରୁ ସିନା ତୋତେ ଗୁପ୍ତରେ ଏ କଥା ପଚାରୁଛି । କେହି ନ ଥିବା ବେଳେ ତୁ କିଛି ଗୋଳିଆ ନ ରଖି ସବୁ କଥା ଫିଟାଇ କହ । ମୁଁ ଏ ନିଷ୍ପତ୍ତିରୁ କିପରି ରକ୍ଷା ପାଇବି ? ତାଙ୍କୁ ଦେଖିବା ବେଳୁ ମୋ ଦେହରେ ଏ କି ଶିହରଣ ମନରେ ଏ କି ଆକୁଳତା, ଏତେବେଳେ ସାହା ଭରସା ନ ହେଲେ ମୁଁ ସତ କହୁଛି ଆଉ ବଞ୍ଚିବିନି । ଛଳନାମୟୀ ଲଳିତା ରାଧାଙ୍କ ମତି ଗତି ଭଲଭାବେ ଜାଣେ, ଏଣୁ ବାକ୍ୟବାଣରେ ଆଉ ତାକୁ ଜର୍ଜରିତ ନ କରି ଦାସୀ ହେଲେ ମଧ୍ୟ ପରିସ୍ଥିତିର ଗୁରୁତ୍ୱ ଦୃଷ୍ଟିରୁ ମୁରବୀ ପଣିପଣିଆରେ ବ୍ୟସ୍ତତା ପ୍ରକାଶ କରି କହିଲା, ‘ଘେନାଇ ଆମ୍ଭେ ଯେତେ କହିଲୁରେ ଘେନିଲୁ ନାହିଁ ବାଳା ପହିଲୁରେ’’ । ସିଆଡ଼କୁ ଚାହଁନା ବୋଲି ଆମେ ଯେତେ କହିଲେ ମଧ୍ୟ ଅମାନିଆ ହୋଇ ତୁ ଚାହିଁଲୁ । ଫଳରେ ଆମେ କେବଳ ଘାଣ୍ଟିହେବା କଥା । ହେଉ ଯାଉଛି ସେ ନଟ ହଟିଆ କୃଷ୍ଣକୁ ମଙ୍ଗାଇବାକୁ ଚେଷ୍ଟା କରିବି । ସେ କ’ଣ ସହଜରେ ଧରା ଦେବା ଲୋକ !
ସାଧାରଣ ଦୂତୀପରି କେବଳ ଖବର ପହଞ୍ଚାଇବା ଏଠି ଲଳିତାର କାମ ନୁହେଁ । କାର୍ଯ୍ୟରେ ଯେ କୌଣସି ପ୍ରକାରେ ସିଦ୍ଧି ହାସଲ କରିବାକୁ ପଡ଼ିବ । ସେଦିନ କୃଷ୍ଣଙ୍କୁ ଏକାକୀ ବସିଥିବାର ଦେଖି ଜଣେ ରସିକ ଯୁବକର ମନକୁ ଛୁଇଁବା ଭଳି ଟିକିଏ ଫାଜଲାମି କରି ଲଳିତା ପଚାରିଲା -
‘‘ନୂଆଁ ନଟ ପଟଳୀ ମୁକୁଟ ହେ
ନାହିଁକି ଶ୍ରୀଅଙ୍ଗ ସୁଖ
ନିପଟ ନିସ୍ତେଜ ଦିଶୁଛି ତ ଆଜ
ନିରଳସ ଚନ୍ଦ୍ର ମୁଖ ।’’
ହେ ନବନାଗର, ତମ ଦେହ ଭଲ ନାହିଁ କି ? ମୁହଁ କାହିଁକି ଶୁଖିଲା ଦିଶୁଛି ? କୌଣସି ଆମରି ଦୃଷ୍ଟି ପଥରେ ପଡ଼ିଯିବାରୁ ଦେହରୁ ବିଦେହର ଜ୍ୱର ଛାଡ଼ୁ୍ ନାହିଁକି ? ଲଳିତାର ହଠାତ୍ ପରି ଆକ୍ରମଣରେ କୃଷ୍ଣ ଚମକି ପଡ଼ିଲେ । ‘‘ଚିହ୍ନିକି ଲାଞ୍ଛନ ସତେ, ଚାମର ଚିକୁରା ମୋତେ, ଚହକାଇ ପଚାରିଲୁ କହ ଗୋ ।’’ କୃଷ୍ଣ ମନର ଦୁର୍ବଳତାକୁ ଘୋଡ଼ାଇ ପକାଇବାକୁ ଚେଷ୍ଟା କରି କହିଲେ, କାହିଁ ମୋର ତ କିଛି ହୋଇନାହିଁ । ମୋ’ ଦେହ ତ ଭଲ ଅଛି । କ’ଣ ଦେଖି ତୁ ଏପରି ପଚାରୁଛୁ ? ଚତୁରୀ ଲଳିତା ସବୁ ଜାଣିଥିଲା ପରି ମୁଖଭଙ୍ଗୀ କରି କହିଲା -
ଛଳ ବାହିନୀଶ ହେ ଛାଡ଼ ଏ ସାହସ
ଛବିତ ଆବିଳ ଦିଶେ ଛପିବାର ଅଛି କି ସେ ।’’
ଛଳନା ଛାଡ଼ି ସତକଥା କୁହ । ‘‘ଛଟା କାହା କଟାକ୍ଷର ଛୁରୀ ହେଲାଣି ବକ୍ଷର ।’’ କୃଷ୍ଣ ତ ଆଗରୁ ମନେ ମନେ ଛଟପଟ ହେଉଥିଲେ । ବର୍ତ୍ତମାନ ତାଙ୍କର ଧୈର୍ଯ୍ୟବନ୍ଧ ଭାଙ୍ଗିଗଲା । ସେ ନିଜକୁ ଗୋଟିପଣେ ଲଳିତା ହାତରେ ସମର୍ପଣ କରିଦେଇ କହିଲେ, ‘‘ଜାଣିଛି ମୁଁ ଏତେ ମାତ୍ର ଗୋ ଲଳିତେ, ଯାହା ଇଚ୍ଛା ତୋ’ର ତାହା କର ।’’ ସେଦିନ ବୃନ୍ଦାବନକୁ ଆସିବାବେଳେ ବାଟରେ ଥିବା ପ୍ରସାଦର ବାତାୟନ ପଥରେ ଜଣେ ଅନିନ୍ଦ୍ୟ ସୁନ୍ଦରୀ କିଶୋରୀଙ୍କୁ ଦେଖିଥିଲି । ଯେତେ ଚେଷ୍ଟା କଲେ ସୁଦ୍ଧା ସେ ଦୃଶ୍ୟ ମନରୁ ଯାଉନି । ସେହି ସମୟରୁ ମୁଁ ମଦନ ଜ୍ୱାଳାରେ ଜଳିପୋଡ଼ି ମରୁଛି । ତୁ କିଛି ଉପାୟ ଚିନ୍ତା କର।
ଦୁଇଟି ତୃଷିତ ଆତ୍ମାର ନିର୍ବିଘ୍ନରେ ମିଳନ ଘଟାଇବାରେ ଦୂତୀ ଜୀବନର ସାର୍ଥକତା । ଏଣୁ ବର୍ତ୍ତମାନ ସୁଦ୍ଧା ଅତି ସନ୍ତର୍ପଣରେ ଲଳିତା ଜଗି ରଖି କଥାବର୍ତ୍ତା କରୁଥିଲା । କୃଷ୍ଣଙ୍କ କଥାରୁ ନିଜ ଉଦ୍ଦେଶ୍ୟର ନିଶ୍ଚିତ ସଫଳତା ଜାଣିପାରି ପରସ୍ପର ପ୍ରେମାକୃଷ୍ଟ ଦୁଇଟି ତରୁଣ ତରୁଣୀଙ୍କର ସ୍ୱାଭାବିକ ମାନସିକ ଦୁର୍ବଳତାକୁ ପୁଞ୍ଜି କରି ସେମାନଙ୍କୁ କ୍ରୀଡ଼ା ପୁତ୍ତଳିକା ପରି ନିଜ ଇଙ୍ଗିତରେ ନଚାଇବା ଆରମ୍ଭ କରିଦେଲା । ଏହାଠାରୁ ବଳି ଦାସୀ ଜୀବନରେ ଗୌରବାବହ ପ୍ରଭୁତ୍ୱ ବିସ୍ତାରର ସୁବର୍ଣ୍ଣ ସୁଯୋଗ ଆଉ କ’ଣ ଥାଇପାରେ ? ଲଳିତା ବର୍ତ୍ତମାନ ନିଜ କାର୍ଯ୍ୟ ସାଧନରେ ଦୃଢ଼ ଓ ନିଶ୍ଚିନ୍ତ। ଏଣୁ କୃଷ୍ଣଙ୍କୁ ଖୋସାମତ କରିବାକୁ ଆସିଥିଲେ ମଧ୍ୟ ତାଙ୍କର ବିବଶତାର ସୁଯୋଗ ନେଇ ଆହୁରି ଉଚ୍ଚାଟିତ କରିବା ପାଇଁ ତା’ର ସମସ୍ତ ସ୍ୱଭାବ ସୁଲଭ ଚାତୁର୍ଯ୍ୟ ପ୍ରୟୋଗ କରି କହିଲା -
‘‘ଝଳି ପାଞ୍ଚାଳୀ ଝଟକେ ନାହିଁକି
ଝୋଲା ମାଇଲା ତୁମ୍ଭଙ୍କୁ କାହିଁକି ?’’
ମଲା, ଏ କି କଥା, ସୁନ୍ଦରୀ ସ୍ତ୍ରୀ ଟାଏ ଦେଖି ଦେଇ ଏପରି ଛଟପଟ ହେବାର କାରଣ କ’ଣ ଅଛି ? ଯାହା ‘‘ଛଣା ସୁନା ପରି ଦିଶେ, ଛୁଇଁ ଦେଲେ ବିଷଟି ସେ ।’’ ଏଣୁ ସେଥିକୁ ମନ ବଳାଇଲେ ଝୁରୀ ମରିବାହିଁ ସାର ହେବ ।
ଲଳିତାଠାରୁ କୌଣସି ଉତ୍ସାହଜନକ ଉତ୍ତର ନପାଇଲେ ମଧ୍ୟ ଶ୍ରୀକୃଷ୍ଣ ପୁନର୍ବାର ଲଳିତା ଆଗରେ ବିନୟ ସହକାରେ ଜଣାଇଲେ, ଲଳିତା । ଯଦି ସେହି ନାଗରୀ ମଣି ସହିତ ଏହି ନିପକୁଞ୍ଜରେ ମିଳନର ବ୍ୟବସ୍ଥା ନକରୁ ତେବେ ‘‘ନିଶ୍ଚୟ ଏ ଘେନ ଚିତ୍ତେ, ନ ଜୀଇଁବି କଦାଚିତ୍ତେ ।’’ କୃଷ୍ଣଙ୍କ କାତରତା ପ୍ରକାଶରେ ଲଳିତାର ତରଳି ଯିବାର କିଛି ନାହିଁ । ସେ ଜାଣେ ଯେ ସେ କ’ଣ କରିବାକୁ ଯାଉଛି । ସେ ତାର ସଖୀକୁ ଏତେ ସହଜରେ କୃଷ୍ଣଙ୍କ ହାତରେ ଟେକି ଦେବାକୁ ଚାହେଁ ନାହିଁ । ପୁନଶ୍ଚ ମିଳନ ପୂର୍ବରୁ ମିଳନାକାଙ୍କ୍ଷୀ ଦୁଇଟି ପ୍ରେମିକ ପ୍ରେମିକା ମାନସିକ ଦ୍ୱନ୍ଦରେ ପଡ଼ି ଯେତେ ସନ୍ତୁଳିତ ହୁଅନ୍ତି ମିଳନ ପର୍ବଟି ସେତେ ସୁଖମୟ ହୁଏ । ଏଣୁ ମିଳନ ସମ୍ଭାବନାରେ ସମ୍ପୂର୍ଣ୍ଣ ଅସମ୍ଭାବ୍ୟତାର ସୂଚନା ଦେଇ ନିଜର ଗୁରୁତ୍ୱ ବଢ଼ାଇବା ସଙ୍ଗେ ସଙ୍ଗେ ସେ ନିଜ ସଖୀର ଦୁର୍ଲଭତା ପ୍ରକାଶ କରିଛି ।
କୃଷ୍ଣଙ୍କ କାତର ପ୍ରାର୍ଥନା ‘‘ନ ଭାଙ୍ଗରେ ଶୁଭାଙ୍ଗି ଭାରତୀ, ହୁଅ ସାହା’’ ଶୁଣି ଲଳିତା ‘ଛଳ-ବାହିନୀଶ’ କୃଷ୍ଣଙ୍କୁ ନିଜର ଛଳନାମୟ ଛନ୍ଦ କଥାର ଫାନ୍ଦରେ ପକାଇବାକୁ ଚିନ୍ତା କରି କହିଲା, ‘ତୁମର ଲୋକନିନ୍ଦାକୁ ଟିକିଏ ହେଲେ ଭୟ ନାହିଁ ? ମତେ ଯେଉଁ ପର ଘର ବୁଡ଼ା ଫରମାସ କରୁଛ ତାହା ମୁଁ କରିପାରିବି ; ହେଲେ ‘‘ଟେକାଟେକି ମୋତେ କରି ନାନା ମତେ ତୁମ୍ଭ ବାସନା ପୁରିବ ।’’ କିନ୍ତୁ ମୋ’ ସଖୀର ଅବସ୍ଥା ଯେ କ’ଣ ହେବ କେବେ ଭାବି ଦେଖିଛ ? ‘‘ଟାଣଖୁଣ୍ଟା ଗୁରୁଜନ ଗଞ୍ଜଣାରୁ ମୋ’ ପ୍ରାଣ ସଖୀ ସରିବ ।’’ ଏଠାରେ ଲଳିତାର ତାତ୍ପର୍ଯ୍ୟପୂର୍ଣ୍ଣ କେତେ ପଦ କଥା ଯେଉଁ ଭାବଚିତ୍ର ଉପସ୍ଥାପିତ କରୁଅଛି ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ତାହା ବିଚାର କଲେ କବିସୂର୍ଯ୍ୟଙ୍କ କବିତ୍ୱପୂର୍ଣ୍ଣ ଦକ୍ଷତାର ଅମଳିନ ନିଦର୍ଶନ ପାଠକକୁ ମନ୍ତ୍ରମୁଗ୍ଧ କରିଦିଏ। ଲଳିତା ପ୍ରଥମେ କୃଷ୍ଣଙ୍କ ଉତ୍କଣ୍ଠିତ ପ୍ରାଣରେ ‘‘କାମନା ପୂର୍ତ୍ତିର’’ ଅଫୁରନ୍ତ ଉଲ୍ଲାସ ସୃଷ୍ଟି କରି ପରେ ପରେ ଗୋଟିଏ ସମସ୍ୟାର ଉଲ୍ଲେଖ କରି ଯେପରି ଭାବରେ ସେଥିରେ କୁଠାରାଘାତ କରିଛି । ମାନସିକ ସ୍ଥିତର ଏ ଦୁର୍ଲ୍ଲଭ ବସ୍ତୁ କେବଳ ସହୃଦୟମାନେହିଁ ଉପଲବ୍ଧି କରିପାରିବେ । ଶବ୍ଦ ସମ୍ଭାରର ଏ ଧ୍ୱନି ଏକାନ୍ତ ହୃଦ୍ୟ ଓ ଚିତ୍ତାକର୍ଷକ ।
ଲଳିତା ମନରେ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ରଖି ଯେଉଁ କେତୋଟି ଛଳୋକ୍ତି ପ୍ରକାଶ କରିଥିଲା, ତାହା ଆଶାତୀତଭାବେ ସଫଳ ହୋଇଛି । କୃଷ୍ଣଙ୍କ ମନରେ ମିଳନର ଦୁର୍ବାର ଅଭିଳାଷ ଜାଗି ଉଠିଛି । ଲଳିତାର ଅନନ୍ୟ କର୍ତ୍ତୃତ୍ୱ ଉପରେ କୃଷ୍ଣ ଏକାନ୍ତ ନିର୍ଭରଶୀଳ ହୋଇ ଉଠିଛନ୍ତି । ବର୍ତ୍ତମାନ କୃଷ୍ଣ ଲଳିତାର ସମ୍ପୂର୍ଣ୍ଣ ହାତମୁଠା ଭିତରେ । ସେ ନିଜ ସଖୀର ହିତ ଦୃଷ୍ଟିରୁ ଯାହା ଚାହେଁ, ଏବେ ତାହା ନିର୍ଦ୍ୱନ୍ଦରେ କରିପାରିବ। ଅନୁରୋଧକାରିଣୀ ଭାବରେ ଆସି ସେ ନିଜର ଚାତୁର୍ଯ୍ୟ ବଳରେ ବର୍ତ୍ତମାନ ଆଦେଶଦାତ୍ରୀର ଭୂମିକାରେ ଦଣ୍ଡାୟମାନା । କୃଷ୍ଣଙ୍କ ଭାଗ୍ୟଡୋରି ଏବେ ଲଳିତାର ହାତରେ ଝୁଲୁଛି । ସେ ଚାହିଁଲେ ତରିପାରେ ଅଥବା ମାରିପାରେ । କୃଷ୍ଣ ବର୍ତ୍ତମାନ ଚିନ୍ତିତ, ଲଳିତାକୁ କି ଉପାୟରେ ସେ ନିଜର କରିପାରିବେ । ତାର ସାହାଯ୍ୟ ବିନା ଏ ଦୁଃସାଧ୍ୟ ସାଧନ ଅସମ୍ଭବ । ପୁଣି ସେ ଲଳିତାକୁ ଖୋସାମତି କରି କହିଲେ ଲଳିତା, ତୁ ବଡ଼ ବୁଦ୍ଧିମତୀ, ତୁ ଚାହିଁଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରିପାରୁ । ମୋର ଦୟନୀୟ ଅବସ୍ଥା ତୋତେ ଭଲଭାବେ ଜଣା, ଏଣୁ ତୁ ଆଉ ନାନା କଥାର ଆଳ ଦେଖାଇ ମତେ ଆଉ ଠକି ଦେବାକୁ ଚେଷ୍ଟା କରନା । ମୋ’ ଆଡ଼କୁ ଟିକିଏ ଚାହାଁ । ମୋର ଦୁଃଖ-ଦୁର୍ଦ୍ଦଶା କଥା ଟିକିଏ ବିଚାର କର । ହୃଦୟରେ କପଟ ନ ରଖି ମୋତେ ଏ ବିପତ୍ତିରୁ ଉଦ୍ଧାର କର । ତୁ ଚାହିଁଲେ କ’ଣ କରି ନ ପାରୁ । ତୁ ଟିକିଏ ଖାଲି ‘‘ଠାରି ଦେଲେ ନେତ୍ରଂଚଳେ’’ ସେ ବଳେ ଆସି ବିଜନ ସ୍ଥଳେ ବିରାଜିବ । ଲଳିତା ସବୁକଥା ଶୁଣି ସାବଧାନ କରି କହିଲା, ‘ଡର ନାହିଁ କି ହେ ପର ତରୁଣୀ ହରଣୁ’ ? ଚୋର ପରି ପର ତରୁଣୀ ହରଣ କରୁଥିବାରୁ ଯେତେବେଳେ ଦଉଡ଼ିରେ ବନ୍ଧା ହୋଇ ଦଣ୍ଡରେ ଟଣା ହେବ; ସେତେବେଳେ ଅବସ୍ଥା କ’ଣ ହେବ ଭାବି ଦେଖ । ଆଚ୍ଛା ହେଲା; ଏବେ ତୁମର ସିନା କେଉଁଥିକି ହେଲେ ଡର ନାହିଁ; ତେବେ ଏ କାମ କରିବାକୁ ମୋତେ ଭାରି ଡର ଲାଗୁଛି । ମୋର ଭରସା ଅଣ୍ଟୁନି । ମୁଁ ନିଜେ ଦେଖିଛି ଯେ ପିଲାଦିନେ ଏନ୍ତୁଡ଼ିଶାଳରେ ତୁମେ ଶକଟାସୁରକୁ ଏଇ ହାତରେ ଚିପି ମାରିଦେଲ। ମୁଁ ଏବେ କେଉଁ ଭରସାରେ ମୋର ସେ ତନୁପାତଳୀ ଓ କ୍ଷୀଣକଟି ସଖୀଟିକୁ ଡାକିଆଣି ତମରି ହାତରେ ସମର୍ପି ଦେବି ? ଯଦିବା ଏଥିରୁ ସେ ବଞ୍ଚିଯାଏ, ତମରି ଅଙ୍ଗସଙ୍ଗରୁ ପରେ ମୋ’ ସଖୀ ବିରହ ବେଦନାରେ ବଡ଼ ଛଟପଟ ହେବ । ସେ ଦୃଶ୍ୟ ମୁଁ ଦେଖିପାରିବି ନାହିଁ । ତେଣୁ ଏ ବିପଜ୍ଜନକ ବ୍ୟାପରରେ ମୁଁ ମୋଟେ ହାତ ଦେବି ନାହିଁ । ପୁଣି ତମେ ‘‘ଡାକି ତ ଜାଣ ମୋହନ ବଂଶୀ ରବେ ।’’ ସେପରି ନିଜେ ଡାକି ଆଣି ‘‘ବିହର ସୁଖେ ଏ ବନେ ।’’ ସେଥିରେ ମୋର ଆତଙ୍କିତ ହେବାର କିଛି ନାହିଁ । କୃଷ୍ଣ ବର୍ତ୍ତମାନ ଶେଷ ଅସ୍ତ୍ର ପ୍ରୟୋଗ କଲେ । ମିଥ୍ୟା ହେଉପଛେ ପ୍ରଶଂସା ଗାନ କଲେ ନାରୀମାନେ ସବୁକଥା ଭୁଲି ଅତି ଆପଣାର ହୋଇଯାଆନ୍ତି । ସେ କହିଲେ ଲଳିତା, ତୁ ବଡ଼ ଦୟାଶୀଳା ବୋଲି ସାରା ଗୋପନଗରୀରେ ତୋର ଖ୍ୟାତି ଅଛି । ସମସ୍ତଙ୍କପାଇଁ ତୋର ଦୟାର ଭଣ୍ଡାର ଉନ୍ମୁକ୍ତ । ମୁଁ ସବୁ ଦୃଷ୍ଟିରୁ ତୋର ଦୟାର ପାତ୍ର । ସେଥିରୁ ମୋତେ ଟିକିଏ ହେଲେ ମିଳିବ ନାହିଁ ? ମୁଁ ତୋ’ ସଖୀର କୌଣସି ଅନିଷ୍ଟ କରିବି ନାହିଁ । ତୋତେ ଅନୁନୟ କରି କହୁଛି ଥରୁଟିଏ ମାତ୍ର ଆମର ମିଳନ କରାଇଦେ । ମୋ’ ପ୍ରାଣବାୟୁ ଉଡ଼ିଯାଉଛି ।
‘‘ଢାଳେ ତ ଢାଳିଲୁ ନାହିଁ କୃପା ସୁଧା, ଝରିକିରେ
ଢ଼କ୍କା ବାଜୁଥାଇ ବ୍ରଜେ, ଲଳିତାର ହୃଦାମ୍ବୁଜେ
କରୁଣା ଅଛି ବୋଲି ଯା ନେଲା କେ’ତା ହରିକି ରେ ।
ଢ଼ୋକୁଟିକୁ ସିନା ହଟି ମୋ ସାର ଯାଉଛି ତୁଟି
ପିଇଦିଅନ୍ତି କି ଗୋଟିଯାକ ସେ କିଶୋରୀକି ରେ ।
କୃଷ୍ଣଙ୍କର ଏହି ଆକୁଳ ଆବେଦନରେ ପ୍ରଣୟ ପାଗଳ ଗୋଟିଏ ତରୁଣ ଜୀବନର ଯେଉଁ ଆର୍ତ୍ତନାଦ ଚିତ୍ରିତ ହୋଇଛି ତା’ଠାରୁ ଆଉ ବେଶି କଛି କୁହାଯାଇ ନ ପାରେ। କରୁଣ ରସର ଏ ଲଳିତ କଳାତ୍ମକ ମୂର୍ଚ୍ଛନା ପାଠକ ହୃଦୟକୁ ଆର୍ଦ୍ର କରେ । ଆଲୋଡ଼ିତ ବି କରେ । ଏଥିରେ ଲଲିତାର ହୃଦୟ ଦ୍ରବୀଭୂତ ହୋଇଯାଇଛି । ସେ କୃଷ୍ଣଙ୍କ ଦୈତ୍ୟ ପାଇଁ ରାଜି ହୋଇଛି । କିନ୍ତୁ କୃଷ୍ଣଙ୍କୁ ଘୋର ନୈରାଶ୍ୟରୁ ମୁକ୍ତି ଦେଇଥିଲେ ମଧ୍ୟ ଆଶା ନିରାଶାର ମାନସିକ ଦ୍ୱନ୍ଦ ସୃଷ୍ଟି କରି କହିଛି, ‘‘ଶ୍ୟାମ ହେ ମୁଁ ଗଲିଟି । ଅଳି ତୁମ୍ଭର ନିବିଡ଼, ଅସହିଷ୍ଣୁ ସେ ଯେ ବଡ଼, ଅବଶ୍ୟ ତା’ ଛାମୁରେ ମୁଁ ନିବେଦନ କଲିଟି ।’’ ଦୟାର୍ଦ୍ରତାର ନିଦର୍ଶନ ସ୍ୱରୁପ କୃଷ୍ଣଙ୍କ ପ୍ରସ୍ତାବରେ ରାଜି ହୋଇ ଲଳିତା ଯେଉଁ ପ୍ରତିଶ୍ରୁତି ଦେଇଛି, ତା’ରି ଭିତରେ ‘‘ରାଧା ବଡ଼ ଅସହିଷ୍ଣୁ’’ ବୋଲି କହିବାରେ ପ୍ରେମ କଷାୟିତ କୃଷ୍ଣଙ୍କ ମାନସରାଜ୍ୟରେ ଆଲୋଡ଼ନ ପାଇଁ ଦ୍ୱନ୍ଦର ଯେଉଁ ସମ୍ଭାବନା ସୃଷ୍ଟି କରିଗଲା, କବିସୂର୍ଯ୍ୟଙ୍କ କାବ୍ୟରେ ତାହାର ବୈଚିତ୍ର୍ୟ ଦେଖିବାର କଥା । ଅନୁଭବ କରିବାର କଥା । ଲଳିତା କୃଷ୍ଣଙ୍କ ନିକଟରେ ପହଞ୍ଚିବା ପରଠାରୁ ଆରମ୍ଭ କରି ତାଙ୍କଠାରୁ ବିଦାୟ ନେଇ ଫାରିବା ପର୍ଯ୍ୟନ୍ତ ଏଗାରଟି ଗୀତରେ ପ୍ରାୟ କଥାବସ୍ତୁ କିଛି ନାହିଁ କହିଲେ ଚଳେ । କିନ୍ତୁ ସାମାନ୍ୟ କଥାର ଖିଅକୁ ନେଇ ଯେଉଁ କାବ୍ୟିକ ପରିକଳ୍ପନା ମାଧ୍ୟମରେ କବିସୂର୍ଯ୍ୟ, ଚତୁରୀ ଲଳିତା ଓ ପ୍ରେମ-ବିହ୍ୱଳ କୃଷ୍ଣଙ୍କ ମାନସ ରାଜ୍ୟକୁ ଉଦ୍ଘାଟିତ କରିଛନ୍ତି, ତାହା ନିଶ୍ଚିତଭାବରେ ଓଡ଼ିଆ-ସାହିତ୍ୟରେ ଗୋଟି ଲୋଭନୀୟ ସାରସ୍ୱତ ସମ୍ପଦ ହୋଇ ରହିବ।
ଦେଖିବାର କଥା ଏଠାରେ କଥୋପକଥନ ରୀତିରେ କୌଣସି ଅସ୍ୱାଭାବିକତା ନାହିଁ । ପୂର୍ବବର୍ତ୍ତୀ ଗୀତରେ ଯାହା କୁହାଯାଇଛି, ତାହାର ସ୍ୱାଭାବିକ ଓ ଅବଶ୍ୟମ୍ଭାବୀ ପରିଣତି ସ୍ୱରୂପ ପରବର୍ତ୍ତୀ ଗୀତଟି ଆତ୍ମପ୍ରକାଶ କରିଛି । କୃଷ୍ଣ ପ୍ରେମପାଗଳ ହୋଇଥିବାରୁ ସେ ଭାବ ବିବଶତାର ଗୋଟିଏ ମୂର୍ତ୍ତିମନ୍ତ ଚରିତ୍ର ଭାବରେ ଦେଖା ଦେଇଛନ୍ତି । ତାଙ୍କର କଥାରେ ବିଶେଷ ଯୌକ୍ତିକତା ନାହିଁ କି ସତର୍କ ଯୁକ୍ତିର ସହିତ କଥା କହିବାରେ ତାଙ୍କର ଆଗ୍ରହ ନାହିଁ । ସେ ସମ୍ପୁର୍ଣ୍ଣ ଭାବରେ ରାଧାଚିନ୍ତାରେ ମଗ୍ନ। ଯେ କୌଣସି ପ୍ରକାରେ ରାଧା-ମିଳନ ପାଇଁ କେବଳ ଅନନ୍ତ ଆକୁଳତା ତାଙ୍କର ସମସ୍ତ ବାକ୍ୟ ବିନ୍ୟାସରେ ପ୍ରକାଶିତ ହୋଇଛି । ଲଳିତା ବାରମ୍ବାର ବାକ୍ୟବାଣରେ ଆହାତ କଲେ ମଧ୍ୟ ସେ ବିନମ୍ର ଭାବରେ ନିଜର ଦୟନୀୟ ଅବସ୍ଥା ବର୍ଣ୍ଣନା କରି ଆକୁଳ ଆବେଦନ ପ୍ରକାଶ କରିଛନ୍ତି । କୃଷ୍ଣ-ଚରିତ୍ର ମଧ୍ୟ ଦେଇ ପ୍ରେମ ବିବଶ ତରୁଣ ମନର କ୍ରିୟା ପ୍ରତିକ୍ରିୟାର ଏ ଯେଉଁ ସ୍ନିଗ୍ଧ ସୁନ୍ଦର ବିକଚ ବିକାଶ ଏଠାରେ ହୋଇ ପାରିଛି, ତାହା ଏକାନ୍ତଭାବରେ ହୃଦ୍ୟ ଓ ଚିତ୍ତାକର୍ଷକ । ଏଠାରେ ଲକ୍ଷ୍ୟ କରିବାର କଥା, ଗୋଟିଏ ଦିଗରୁ କୌଣସି ପ୍ରତିରୋଧ ନ ଥିଲେ ମଧ୍ୟ ଚତୁରୀ ଲଳିତା ନିଜ କର୍ତ୍ତବ୍ୟ ପ୍ରତି କେତେ ସତର୍କ ଦୃଷ୍ଟି ରଖି ଅଗ୍ରସର ହୋଇଛି । କୃଷ୍ଣ ଏଠି ସରଳତାର ଏକ ମୂର୍ତ୍ତିମନ୍ତ ପ୍ରତୀକ; କିନ୍ତୁ ଲଳିତା ଛଳନର ଗୋଟି ମୂର୍ତ୍ତିମତୀ ନାରୀ । ନିଜ ଉଦ୍ଦେଶ୍ୟ ସାଧନ ପାଇଁ ସବୁକଥାରେ ତା’ର କୁଟୀଳତା ପୂରି ରହିଛି । ତା’ ସଖୀସ୍ୱାର୍ଥର ଗୋଟିଏ ଜାଗ୍ରତ ପ୍ରହରୀ ଭାବରେ ତା’ର କଥା, କାର୍ଯ୍ୟ, ଚାହାଣୀ ଓ ସହାନୁଭୂତି ସବୁ ଅଦ୍ଭୁତ ଭାବରେ ନିୟନ୍ତ୍ରିତ । ସେ ଭଲଭାବେ ଜାଣେ ‘‘ଠକଙ୍କର ଗୁରୁ’’ କୃଷ୍ଣ ଅବସ୍ଥାଚକ୍ରରେ ପଡ଼ି ସିନା ଏପରି ସୁନାପିଲା ପାଲଟିଛନ୍ତି, କିନ୍ତୁ ସେ ଯେ କେତେବେଳେ କ’ଣ କରିବସିବେ, ତା’ର ଠିକ ଠିକଣା ନାହିଁ । ଏଣୁ ଗୋଟିଏ ପରେ ଗୋଟିଏ ପ୍ରସଙ୍ଗ ଉତ୍ଥାପନ କରି ସେ ବାକ୍ୟବାଣର ତୀବ୍ର କଷାଘାତରେ କୃଷ୍ଣଙ୍କୁ ସମ୍ପୂର୍ଣ୍ଣ ହାତମୁଠାରେ ରଖିବା ଅବସ୍ଥାକୁ ଆଣି ଛାଡ଼ି ଦେଇଛି । ଅନୁଭବ କରିବାର କଥା, ଲଳିତାର ଉକ୍ତି ଅନ୍ତରାଳରେ, ଛଳନାର ଏତେ ପ୍ରାଚୁର୍ଯ୍ୟ ଭିତରେ କବିସୂର୍ଯ୍ୟ ପ୍ରତିଭା ପ୍ରାକୃତିକତା ଓ ସ୍ୱାଭାବିକତାର କେତେ ବର୍ଣ୍ଣାଢ଼୍ୟ ବୈଭବ ସୃଷ୍ଟି କରିଛି ।
ନାନା ଆଶା ଓ ଆଶଙ୍କା ମଧ୍ୟରେ ଈପ୍ସିତ ସମ୍ବାଦଟି ପାଇବ ପାଇଁ ଉଦ୍ବିଗ୍ନ ହୋଇ ବସିଥିବା ଯେ କୌଣସି ଲୋକର ମନକାମନା ପୂର୍ତ୍ତିସୂଚକ ବାର୍ତ୍ତାଟି ସାଧାସିଧାଭାବେ ଦେଇ ଦେଲେ ସେଥିରେ ଥିବା ଜୀବନଧର୍ମୀ ରଙ୍ଗ ଓ ରସ କେହିହେଲେ ଉପଭୋଗ କରିପାରନ୍ତି ନାହିଁ । ଲଳିତାର ସଖୀ ରାଧା । ସେ ରାଧାର ମନୋଦଶା ବିଷୟରେ ସମ୍ପୂର୍ଣ୍ଣ ସଚେତନ। ରାଧା ଆଶଙ୍କା ବିଜଡ଼ିତ ଚିତ୍ତରେ ଲଳିତାର ପଥ ଚାହିଁ ବସିଛନ୍ତି । ଜୀବନରେ ସମସ୍ତ ସ୍ୱପ୍ନର ସାର୍ଥକତା ତା’ର କରଣୀ ଉପରେ ନିର୍ଭର କରୁଛି । ଏତିକିବେଳେ ଲଳିତା କୃଷ୍ଣଙ୍କ ନିକଟରୁ ଫେରି ରାଧାଙ୍କ ଧୈର୍ଯ୍ୟ ପରୀକ୍ଷା କରିବା ପାଇଁ ଦେଖାଣିଆ ମନଦୁଃଖରେ କହିଲା, ମୁଁ ତୋ’ ପାଇଁ ବହୁତ ଚେଷ୍ଟା କଲି, ତା’ର ଗୋଡ଼ ଧରି କେତେ ନେହୁରା ହୋଇ କହିଲି, କିନ୍ତୁ ସେ ଆଦୌ ରାଜି ହେଲା ନାହିଁ କି ତୋ’ ସ୍ନେହରେ ଟିକିଏ ହେଲେ ରସିଲାନି । ଯା’ ହୃଦୟରେ ଅନୁରାଗ ବୋଲି କିଛି ନାହିଁ ସେ କ’ଣ ତୋରି ପରି ଗୋଟିଏ ଦୁର୍ଲ୍ଲଭ ପ୍ରେମିକାର ଯୋଗ୍ୟ ?
‘‘ତୁଚ୍ଛ ସ୍ନେହ ମନଜନ, ତୋ ସାଙ୍ଗକୁ କି ଭାଜନ ?’’
ରାଧା ଆଉ ଶୁଣି ପାରିଲେ ନାହିଁ । ସବୁକିଛି ଗୋଳମାଳ ହୋଇଗଲା । ପ୍ରେମିକା ପ୍ରିୟର ଅପେକ୍ଷାରେ ବଞ୍ଚିପାରେ କିନ୍ତୁ ପ୍ରିୟର ଉପେକ୍ଷା ଯେ, ତା’ପକ୍ଷେ ଅସହ୍ୟ, ରାଧାଙ୍କ ଆଗରେ କେବଳ ଗୋଟିଏ ମାତ୍ର ପ୍ରଶ୍ନ ସେ ଜୀବନ ଧରି ରହିବେ କି ପ୍ରାଣ ଛାଡ଼ିଦେବେ । ପରମୂହୂର୍ତ୍ତରେ ସେ ଟିକିଏ ପ୍ରକୃତିସ୍ଥା ହୋଇ ଭାବିଲେ ତୁଚ୍ଛା କଥାରେ କି ଛାନିଆ କରିଦେବା ଲଳିତାର ଗୋଟିଏ ସ୍ୱଭାବସିଦ୍ଧ ପ୍ରକୃତି । ପୁଣି ଲଳିତା ଥଙ୍ଗେଇ ଥଙ୍ଗେଇ କହୁଥିବାରୁ ସେଥିରେ କୃତ୍ରିମତାର ସମ୍ଭାବନା ବେଶି । ଏଣୁ ଲଳିତାର ଶେଷ ଅସ୍ତ୍ର ରାଣ ପକାଇ ପଚାରିଲେ, ମୋ’ ପ୍ରତି ତାଙ୍କର ଟିକିଏ ହେଲେ ‘‘ଥିଲାପରି ସ୍ନେହ, ଲାଗିଲା କି କହ ।’’ ମୋର ଧୈର୍ଯ୍ୟଚ୍ୟୁତି ଘଟିଲାଣି । ସତକଥାଟି କହ । ମୋତେ ଆଉ ‘‘ଥୋଇ ହୃଦେ ଛଳ, ନ କର ବିକଳ ଅଛିଟି ତୋତେ ମୋ’ ରାଣ,’’ ବୋଲି କହିବା ପରେ ରାଧାଙ୍କ ‘ବହିଃପ୍ରାଣ’ ସେହି ଲଳିତା ଆଉ କାଳ ବିଳମ୍ବ ନ କରି ପ୍ରାଣର ଆବେଗରେ କହି ପକାଇଲା -‘ରେ ଦୁଃଖୀଧନ, ତୋର ଦମ୍ଭ ଦେଖିବାକୁ ସିନା କଲି ଚ୍ଛନ୍ନ ।’ ତୋର ସରସ ମନକୁ ଆଉ ଦୁଃଖୀ କରିବାର କୌଣସି କାରଣ ନାହିଁ । ତୋ ବଙ୍କା ଚାହାଣୀର ତୀକ୍ଷଣ ଶର ତାଙ୍କ ହୃଦୟରେ ଏପରି ଗଳି ଯାଇଛି ଯେ, ସେ ତୋରି ବିରହରେ ତୋ’ଠାରୁ ବେଶି ଛଟପଟ ହେଉଛନ୍ତି । ଏସବୁ କଥା ଶୁଣି ରାଧା ଆନନ୍ଦରେ ଉଦ୍ବେଳିତ ହେବାକୁ ଲାଗିଲେ । ନୈରାଶ୍ୟର ବିକଟ ଯନ୍ତ୍ରଣାରେ ଛଟପଟ ହେଉଥିବା ଲୋକର ଭାଗ୍ୟରେ ଯେ ହଠାତ୍ ଅକଳ୍ପନୀୟ ଏତେ ସୁଖର ସମ୍ଭାର ଆସି ଅଜାଡ଼ି ହୋଇ ପଡ଼େ, ଏହା ରାଧା କଳ୍ପନା ସୁଦ୍ଧା କରି ନ ଥିଲେ । ଏଣୁ ସେ ନିଜର ଏତେ ବଡ଼ ଭାଗ୍ୟ କଥା ବିଶ୍ୱାସ କରି ନ ପାରି ଉତ୍ସୁକତାବଶତଃ ନାନା କଥେ ପଚାରି ବୁଝିଲେ । ଏଠାରେ ମନସ୍ତତ୍ତ୍ୱ ସଚେତନ କବି ମାନସ ମାନବିକ ପ୍ରକୃତିର ସୁକ୍ଷ୍ମାତିସୂକ୍ଷ୍ମ ପର୍ଯ୍ୟାୟ ପର୍ଯ୍ୟବେକ୍ଷଣ କରିବାରେ ଯେଉଁ ଅଲୌକିକ ବିଚକ୍ଷଣତା ପ୍ରଦର୍ଶନ କରିଛି, ତାହା ତାଙ୍କ ପ୍ରଚଣ୍ଡ ପ୍ରତିଭାର ଏକାନ୍ତ ପରିଚାୟକ । ଲକ୍ଷ୍ୟ କରିବାର କଥା, ଲଳିତା ରାଧାଙ୍କୁ ‘ଚ୍ଛନ୍ନ ଓ ‘ବିକଳ’ କରିବା ପାଇଁ ହୃଦୟରେ ଛଳ ଥୋଇ ‘ତ’ ଗୀତରେ କୃଷ୍ଣଙ୍କ ଉଦ୍ଦେଶ୍ୟରେ ଯାହା କହିଛି ସେଥିରେ ଭାଷା ପ୍ରୟୋଗରେ କୃଷ୍ଣଙ୍କ ପ୍ରତି ଗୋଟିଏ ତାତ୍ସଲ୍ୟ ଭାବ ପ୍ରକାଶିତ ହୋଇଛି । ଯଥା-‘‘ଶ୍ୟାମ ମୋ ମରଜି କଷିଲା,’’ ‘‘ତୋ ସ୍ନେହେ ନ ରସିଲା,’’ ‘‘ଦିଶିଲା’’, ‘‘ହସିଲା’’ ଇତ୍ୟାଦି । ତା ମତରେ କୃଷ୍ଣ ମହୀୟସୀ ରାଧାଙ୍କର ଅନାବିଳ ପ୍ରେମ ପାଇଁ ଏକାନ୍ତ ଅଯୋଗ୍ୟ । ଏଣୁ ରାଧା ଏପରି ଜଣେ ଅଯୋଗ୍ୟ ନିକଟରେ ପ୍ରେମ ନିବେସନ କରିବା ଆଦୌ ବାଞ୍ଛନୀୟ ନୁହେଁ । ଏହି ଭାବକୁ ସର୍ବାନ୍ତଃ କରଣରେ ହୃଦୟଗ୍ରାହୀ କରାଇବା ପାଇଁ ମନକୁ ପ୍ରସ୍ତୁତ କରାଇବାରେ ଭାଷାର ଚାତୁର୍ଯ୍ୟପୂର୍ଣ୍ଣ ଯଥାର୍ଥ ପ୍ରୟୋଗ ଏଠାରେ ଉଲ୍ଲେଖଯୋଗ୍ୟ ଭୁମିକା ଗ୍ରହଣ କରିଛି । କେବଳ ଏହି ଗୀତଟି ବ୍ୟତୀତ ଆଉ ସର୍ବତ୍ର ବିଶେଷ କରି ତା’ ପରବର୍ତ୍ତୀ ‘ଦ’ ଗୀତରେ ‘ହରି ଘେନିଗଲେ’ ‘ପଚାରିଲେ’ ଇତ୍ୟାଦି ପରିସ୍ଥିତିରେ ଯାହା କୁହାଯାଇଛି ସେଥିରେ କୃଷ୍ଣଙ୍କ ଉଦ୍ଦେଶ୍ୟରେ ସମ୍ପୂର୍ଣ ସଂଭ୍ରମତା ପ୍ରକାଶ ପାଇଛି । ଚିନ୍ତାରେ ଚଞ୍ଚଳତା ସୃଷ୍ଟି ପାଇଁ ଭାଷା ପରିବର୍ତ୍ତନର ଏ ମାଧୁରୀ ଏକାନ୍ତ ଅନୁଭବଯୋଗ୍ୟ । ଏହା ବ୍ୟତୀତ ନାରୀ-ମନସ୍ତତ୍ତ୍ୱ ଦୃଷ୍ଟିରୁ ଗୋଟିଏ ମାତ୍ର ଖଣ୍ଡ ବାକ୍ୟ ‘‘ଅଛିଟି ତୋତେ ମୋ ରାଣ’’ ଚମତ୍କାର ପ୍ରୟୋଗରେ ଆନ୍ତରିକତାର ଯେଉଁ ପ୍ରଲେପ ଅନୁଭବ କରି ହୁଏ, ଅନନ୍ତ ବାକ୍ୟ-ସମ୍ଭାର ସେ ଭାବ ଅଭିବ୍ୟକ୍ତିରେ ନିତାନ୍ତ ଅସମର୍ଥ ଏବଂ କିଞ୍ଚିତ୍କର ମନେ ହେବ ।
ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦେଖିଲେ ନିଜର ଦୌତ୍ୟ-କର୍ମରେ ଅପୂର୍ବ ସଫଳତା ହାସଲ କରି ଥିବାରୁ ଲଳିତା ନିଜ ଜୀବନରେ ଅଫୁରନ୍ତ ସ୍ଫୁର୍ତ୍ତି ଅନୁଭବ କରି ରାଧାଙ୍କୁ ଚାତୁର୍ଯ୍ୟପୂର୍ଣ୍ଣ ମନଗଢ଼ା ବାକ୍ୟ ଜାଲରେ ଖେଳାଇଛି, କିନ୍ତୁ ତା’ର ପରିଣତି ସ୍ଵରୂପ ପ୍ରିୟସଖୀ ରାଧାଙ୍କ ମର୍ମସ୍ପର୍ଶୀ ମନୋବ୍ୟଥାର ସଂସ୍ପର୍ଶରେ ଆସି ତା’ର ସ୍ପର୍ଶକାତର ସଖୀ ହୃଦୟ ଧୈର୍ଯ୍ୟ ଧରି ରହି ପାରିନାହିଁ । ବିଗଳିତ ହୃଦୟର ଆବେଗ ବୁଦ୍ଧିବିଳାସର ଚାତୁର୍ଯ୍ୟକୁ ଦମନ କରି ସ୍ୱାଭାବିକ ଭାବରେ ସତ୍ୟକଥାଟିକୁ ପ୍ରକାଶ କରିଦେଇଛି । ରାଧାଙ୍କ ମନୋବାଞ୍ଛା ପୂର୍ତ୍ତିର ଚିତ୍ରଟି ଲଳିତା ଯେପରି ଥୋଇଲା, ରାଧା ତାଙ୍କ ଜୀବନରେ ଏତ ସଫଳତା ଆଶା କରି ନ ଥିଲେ । ତାଙ୍କର ତୃଷିତ ପ୍ରାଣ କେବଳ ପାଣି ମୂନ୍ଦାଏ ଚାହିଁଥିଲା; କିନ୍ତି ଦେଖିଲେ, ଲଳିତା ତାଙ୍କ ପାଇଁ ଅମୃତର ମନ୍ଦାକିନୀ ନେଇ ଆସିଛି । କୃଷ୍ଣଙ୍କ ଅନୁରକ୍ତି କଥାଟି ଶୁଣି ରାଧାଙ୍କ ମନରେ ଆନନ୍ଦର ସୀମା ନାହିଁ । ସେ ବିଶ୍ୱାସ କରି ପାରୁ ନାହାନ୍ତି ସତେ ସେ ଏତେ ସୁଖର ଅଧିକାରୀ, ଏଡ଼େ ଭାଗ୍ୟବତୀ । ସ୍ନେହାଧିକ୍ୟ ଅକଳ୍ପନୀୟ ଇଷ୍ଟସିଦ୍ଧି ଓ ଆଶାତୀତ ମଙ୍ଗଳର ସୂଚନା ପାଇଲେ ମଣିଷର ମନ ଅମଙ୍ଗଳର ଅଳୀକ ଆଶଙ୍କାରେ ଥରି ଉଠେ । ରାଧାଙ୍କ ଅବସ୍ଥା ଠିକ୍ ସେହିପରି । ଏଣୁ ଆନନ୍ଦର ଆତିଶଯ୍ୟରେ ଆତ୍ମବିଭୋର ହୋଇ ସେ ବାରମ୍ବାର ଲଳିତାଙ୍କୁ ପଚାରିବାକୁ ଲାଗିଲେ, ତୁ କିପରି ତାଙ୍କ ମନ-କଥା ଜାଣିଲୁ ? ସତେ, ସେ ହାତ ଧରି ମୋ କଥା ପଚାରିଲେ ? ସେ ତ ସହଜେ ଧରା ଦେବା ଲୋକ ନୁହନ୍ତି । ‘‘ଧାରାରେ ଯେତେ ପୁରୁଷେ, ଧର୍ତ୍ତ ତାହାଙ୍କ ଗୁରୁ ସେ ।’’ ସେ ପଦେ କହିଲେ ଦଶପଦ ଆଦାୟ କରନ୍ତି । ସେ କ’ଣ କହିଲେ, ସବୁ କଥା ମୋ ଆଗରେ ଗୋଟି ଗୋଟି କରି କହି ମୋତେ ଟିକିଏ ନିଶ୍ଚିତ କରିଦେ । ଏଇ ପଦେ କଥାରେ ଚତୁରୀ ଲଳିତାର ସ୍ୱାଭାବିକ ଚପଳ ଚଟୁଳ ଚିନ୍ତା ପ୍ରବଣତା ରାଧାଙ୍କୁ ପୁଣି କିଛି ସମୟ କ୍ରୀଡ଼ା-ପୁତ୍ତଳିକା ପରି ନଚାଇ ମଜା ଦେଖିବା ପାଇଁ ଗୋଟିଏ ଅପୂର୍ବ ସୁଯୋଗ ପାଇଗଲା । ତୁଚ୍ଛା କଥାରେ ଗୋଳିଆ ବାହାର କରି ସଖୀ ମନରେ ଦ୍ୱନ୍ଦାତ୍ମକ ଭାବ-ତରଙ୍ଗ ସୃଷ୍ଟି କରିବାରେ ସେ ଧୁରନ୍ଧର । ଏଣୁ ରାଧାଙ୍କ ପ୍ରଶ୍ନର ସହଜ ଉତ୍ତରଟିଏ ନ ଦେଇ ସେ କହିଲା କୃଷ୍ଣଙ୍କଠାରୁ ‘‘ନାହିଁ ବୋଲିବା ବାଣୀ ନିପଟ ନାହିଁ ଶୁଣି’’ କିନ୍ତୁ ‘ହଁ’ ବୋଲି ମଧ୍ୟ ଶୁଣି ନାହିଁ । ତାଙ୍କ ଜାତକରେ ‘ନିଶ୍ଚୟ’ ବୋଲି କିଛି କଥା ନାହିଁ । ସେ ଆଦୌ ନିର୍ଭରଯୋଗ୍ୟ ନୁହନ୍ତି । ତାଙ୍କର ଫାନ୍ଦରେ ପଡ଼ିଲେ ଖାଲି ହଟହଟା ହେବା କଥା । ମୋ ମତରେ ସେଥିକି ମନ ବଳାଇବା ଆଦୌ ଉଚିତ ନୁହେଁ । ରାଧା ଏକାନ୍ତ କୌତୂହଳବଶତଃ ଯାହା ଜାଣିବାକୁ ଚାହିଥିଲେ, ପାଇଲେ ତାର ଓଲଟା ଉତ୍ତର । ସେ କଥା କଥାକେ ଲଳିତାର ଏପରି ହଟଚମଟିଆ ବ୍ୟବହାରରେ କୃତ୍ରିମ ବିରକ୍ତି ପ୍ରକାଶ କରି କହିଲେ -
‘‘ପ୍ରିୟସହୀ, ପରମାଦ ବଡ଼ ତୁହି, ପାରୁ କେତେ ଛନ୍ଦେ ମୋହି
ପରମ ପଦରେ ଦେଇ ଜାଣୁ ତୁ ବସାଇ, ପୁଣି ତହୁଁ ଜାଣୁ ରସାତଳକୁ ଖସାଇ ।’’
ପରପୁରୁଷରେ ସ୍ନେହ କରିବା ବଡ଼ ଗର୍ହିତ ବ୍ୟାପାର, ଏକଥା ସମସ୍ତେ ଜାଣନ୍ତି । କିନ୍ତୁ ‘‘ପରବଶ ହେବ ଯେବେ ପ୍ରାଣତୁଲେ ଦେହ; ପ୍ରାଣୀ କି କରିବ କହ ।’’ ମୁଁ ବର୍ତ୍ତମାନ ନିରୂପାୟ । ଥରୁଟିଏ ମାତ୍ର ତାଙ୍କ ସହିତ ମିଳାଇଦେଇ ତା’ପରେ ଯାହା କହୁଛୁ କହ । ରାଧାଙ୍କର ‘‘ପରମାଦ ବଡ଼ ତୁହି’’ ଏହି ପଦେ କଥାରେ ଅଭିମାନ କରି ଅନେକ କଥା କହିବା ପାଇଁ ଲଳିତା ଗୋଟିଏ ଅପୂର୍ବ ସୁଯୋଗ ପାଇଗଲା । ସେ ଦେଖିଲା ଯେ, ଟିକିଏ ପୂର୍ବରୁ ତା’ର ସଖୀ ରାଧା ନୈରାଶ୍ୟ-ଜର୍ଜରିତ ମାନସିକ ପୀଡ଼ାରେ ଯେପରି ବିକଳ ହୋଇ ଉଠିଥିଲେ, ତାଙ୍କର ସେ ଅବସ୍ଥା ଆଉ ନାହିଁ । ମିଳନୋନ୍ମୁଖୀ ସଖୀର ଆତ୍ମପ୍ରତ୍ୟୟରେ ଦୃଢ଼ତା ଆସିଗଲେ ଦୂତୀ ଭୂମିକା ଲଘୁ ହୋଇଯାଏ । ଲଳିତା ନିଜର କର୍ତ୍ତୃତ୍ୱାଭିମାନକୁ ସହଜରେ ଛାଡ଼ିଦେବାକୁ ରାଜି ନୁହେଁ । ପାଟିରୁ ଖସି ଯାଇଥିବା ସ୍ପଷ୍ଟ କଥାରୁ ଅର୍ଥ ଅର୍ଥାନ୍ତର ବାହାର କରି ରାଧାଙ୍କୁ ଆଉ ଆଶା-ନିରାଶାର ଦ୍ୱନ୍ଦ ଭିତରେ ଆନ୍ଦୋଳିତ କରି ରଖିବା ସହଜ ନୁହେଁ । ସେ ଜାଣିପାରିଲା ଯେ, ରାଧା ବର୍ତ୍ତମାନ କୃଷ୍ଣଙ୍କ ଅନୁରକ୍ତି ବିଷୟରେ ନିଃସନ୍ଦେହ । ମିଳନର ନିଶ୍ଚିତ ସମ୍ଭାବନା ସତ୍ତ୍ୱେ ‘‘ଅଳି ତୁମ୍ଭର ନିବିଡ଼-ଅସହିଷ୍ଣୁ ସେ ଯେ ବଡ଼’’ କହି ସେ ଯେପରି କୃଷ୍ଣଙ୍କୁ ସଂଶୟାଚ୍ଛନ୍ନ ଅବସ୍ଥାରେ ରାଧାଙ୍କୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବିମୁଢ଼ ଅବସ୍ଥାରେ ପକାଇ ରଖିବା ଆଉ ସମ୍ଭବ ହେଉନି । ଏଣୁ ପୁଣି ରାଧାଙ୍କୁ କାବୁ କରିବା ପାଇଁ ଅନ୍ୟ ଗୋଟିଏ ଉପାୟ ଚିନ୍ତା କରି ସେ ପ୍ରସଙ୍ଗକ୍ରମେ ସ୍ୱାଭାବିକ ଅଭିମାନ ସହିତ ରାଧାଙ୍କୁ ଅକୃତଜ୍ଞତା ଦୋଷରେ ଦୋଷୀକରି ଦୂତୀ ଜୀବନର କରୁଣ ପରିଣତି ଗାଇଦେଇଗଲା ।
‘‘ଫାଟି ପଡ଼ିବାର ନିକୁଞ୍ଜ ସଞ୍ଚାର ଶମୁଁ ମୋ’ ଚରଣତଳ
ଫତୁରି ଖୋର ଆଖରକୁ ହେବାର ଏହି ଏକା ତହୁଁ ଫଳ
ରେ କିଶୋରୀ, ଫିଟିଗଲା ସେ ସନ୍ଦେହ
ଫୁଲିଗଲୁ ଫୁଲ ଲଲାମ ରସିକା, ଜାଣି ପରା ଶ୍ୟାମ ସ୍ନେହ ।’’
ହେଉ, ଏବେ ତୋର ଯାହା ଇଚ୍ଛା ତାହା କର । ମୋ ପରି ଜଣେ ‘କୁଟିଳ ହୃଦୟ’ର ଛନ୍ଦ କପଟରେ ଧନ୍ଦି ହେବା କି ଦରକାର । ଆଜିଠାରୁ ‘‘ଫେଇଦିଅ ତୁ ମୋ ଆବୁର (ଇଜ୍ଜତ) ମୁଁ ଯେବେ ଯିବି ସେ ଦିଗକୁ ଦିନେ ।’’ ପୁଣି ଏ କର୍କଶ ବାକ୍ୟବାଣ ବର୍ଷଣ ପରେ ଲଳିତାର ଚେତାବନୀ ‘‘ଫୁରୁଣା ହୋଇ ତୁ ରସ, ଫେରିଆସି ମାତ୍ର ଆମ୍ଭ ଆଗେ ନେତ୍ର-କଞ୍ଜୁନୀର ନ ବରଷ’’ ଶୁଣି ବିନାମେଘେ କୁଳିଶପାତ ପରି ଆହିତାଭିମାନର ତୀବ୍ର ତାଡ଼ନାରେ ରାଧା ସ୍ତମ୍ଭିତା ହେଲେ ।
ପରିସ୍ଥିତିର ଏହି ନାଟକୀୟ ପରିବର୍ତ୍ତନରେ ସରଳମତୀ ରାଧାଙ୍କ ହୃଦୟ ତରଳିଗଲା । ସହଜ ଭାବରେ ସେ ଯେଉଁ ପଦେକଥା କହିଥିଲେ ତାହା ସଖୀ ମନରେ ଏତେ କଷ୍ଟ ଦେବ, ସେ କଳ୍ପନା ସୁଦ୍ଧା କରି ନ ଥିଲେ । ସେ ମନେ ମନେ ସଙ୍କୁଚିତା ହେଲେ । ଲଳିତା ବିନା ଯେ, ପାଦେହେଲେ ଚଳିବା ତାଙ୍କ ପକ୍ଷେ ଅସମ୍ଭବ । ଏଣ ସଖୀମନର ବିକ୍ଷୁବ୍ଧ ଭାବାନାକୁ ପୋଛି ଦେବାପାଇଁ ସ୍ୱାଭାବିକ ଆନ୍ତରିକତାର ସହିତ କହିଲେ, ‘‘ବୋଲି ଦେଲି ସିନା ଗେଲେ ହସି, ବିଶ୍ଵେ ତୋ ସମ କାହିଁ ବିଶ୍ୱାସୀ ।’’ ‘‘ବିକେ କିଣେ ଯେ ଯାହାକୁ ସ୍ନେହେ ବଡ଼ ତା’ଠାରୁ ଜୀବନ ନୋହେ, ବଳ ତାହାଠାରେ ସିନା ସହେ ।’’ ଏଇ କେତେ ପଦ କଥାର ସହଜ ମଧୁର ମୂର୍ଚ୍ଛନାରେ ଲଳିତା ପୁଣି ମନେ ମନେ ତା’ର ଅପହୃତ କର୍ତ୍ତୃତ୍ୱାଭିମାନ ଓ ଗୌରବ ଫେରିପାଇଛି । ସେ ଦ୍ୱିଗୁଣିତ ଉତ୍ସାହରେ ରାଧାଙ୍କୁ ନାଇ ରାତିରେ କେଳିକୁଞ୍ଜର ଅଦୂରରେ ରହି କୃଷ୍ଣଙ୍କର ତ୍ରିଭଙ୍ଗୀରେ ଉଭା ହେବାର ଶୋଭାକୁ ଦେଖାଇଛି । ପୁଷ୍ପଚୟନ ବ୍ୟାଜରେ ଲଳିତା ସେଠାରୁ ଅନ୍ତର୍ହିତା ହୁଅନ୍ତେ, ରାଧା ଓ କୃଷ୍ଣଙ୍କ ଚାରିଚକ୍ଷୁର ମିଳନ ସଙ୍ଗେ ସଙ୍ଗେ ବହୁ ଆକାଂକ୍ଷିତ ମିଳନର ମହାପର୍ବ ସଂଘଟିତ ହୋଇଛି । ତା’ ପରେ ଗତାନୁଗତିକ ରୀତିରେ କୃଷ୍ଣଙ୍କ ଚାଟୁବାକ୍ୟ, ଶିଥିଳ ବେଶଭୁଷାର ପୁନର୍ବିନ୍ୟାସ ପାଇଁ ରାଧାଙ୍କ ଅନୁରୋଧ, ପରିଚାରିକା ଓ ସଖୀମାନଙ୍କ ହାସ-ପରିହାସ, ହରିଙ୍କ ଅନିନ୍ଦ୍ୟ ସୁନ୍ଦର ରୂପ-ବର୍ଣ୍ଣନା ଓ କବିଙ୍କ ଭକ୍ତିପୂତ ପ୍ରାର୍ଥନା ପରେ ଚମ୍ପୂ କାବ୍ୟର ପରିସମାପ୍ତି ଘଟିଛି ।
ଚମ୍ପୂର ‘କ’ ପଦ୍ୟଠାରୁ ‘ଉ’ ପଦ୍ୟ ପର୍ଯ୍ୟନ୍ତ ବଳଦେବୀୟ ପ୍ରଚଣ୍ଡ ପ୍ରତିଭାର ଯେଉଁ ସ୍ପର୍ଣ ପାଠକ ଅନୁଭବ କରେ, ତାହା ‘ମ’ ଠାରୁ ‘କ୍ଷ’ ପଦ ଭିତରେ ଖୋଜିଲେ ମିଳେ ନାହିଁ । ଏହାକୁ ପାଠକ ‘ଅଧିକନ୍ତୁ ନ ଦୋଷାୟ’ ନ୍ୟାୟରେ ଗ୍ରହଣ କରେ । ଅବଶ୍ୟ ଚମ୍ପୂ କାବ୍ୟଟି ଚଉତିଶା ରୀତିରେ ଲେଖାଯାଇଥିବାରୁ ଅକ୍ଷରକ୍ରମରେ‘କ୍ଷ’ ପର୍ଯ୍ୟନ୍ତ ଲେଖାଯିବାର ଗୋଟିଏ ଦୁର୍ବାର ଆବଶ୍ୟକତା ରହିଛି । ପଣି କଥାର ଗତାନୁଗତିକ ଧରାବନ୍ଧା ପରିସମାପ୍ତି ଓ ନିର୍ଦ୍ଦିଷ୍ଟ ଧର୍ମୀୟ ଚେତନାର ଯଥ ଯଥ ବିନ୍ୟାସ ମଧ୍ୟ ଏପରି ଗୋଟିଏ କୃଷ୍ଣ କଥାତ୍ମକ କାବ୍ୟରେ ଅପରିତ୍ୟାଜୀ ଥିବାରୁ ‘ମ’ ପଦ୍ୟଠାରୁ ‘କ୍ଷ’ ପଦ୍ୟ ମଧ୍ୟରେ ସେହି ପରମ୍ପରାର ସୁଷ୍ଠୁ ସମ୍ପାଦନ କରାଯାଇଛି । କିନ୍ତୁ ‘କ’ ପଦ୍ୟଠାରୁ ‘ଭ’ ପଦ୍ୟ ମଧ୍ୟରେ କବିସୂର୍ଯ୍ୟ ମାନବିକ ଅନୁଭୂତିର ଅନ୍ତଃସ୍ଥଳକୁ ଆଲୋଡ଼ିତ କରିବାରେ ଯେଉଁ ନିତ୍ୟନୂତନ ଅସାଧାରଣ ନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି ତାହା ପାଠକ ମନକୁ ଏକାଧାରରେ ଚମତ୍କୃତ ଓ ବେଦ୍ୟାନ୍ତର ସ୍ପର୍ଶଶୂନ୍ୟ କରିଦିଏ ।
ସମଗ୍ର ଭାବରେ ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିରୁ କାବ୍ୟଟିର ଶୈଳୀ ଓ କଳା ନିପୁଣତା ବିଚାର କଲେ ଜଣାଯାଏ ଯେ, ଏହା ବହୁ କାବ୍ୟିକ ବୈଶିଷ୍ଟ୍ୟର ଗୋଟିଏ ଦୁର୍ଲ୍ଲଭ ସମାହାର । ଓଡ଼ିଆ ସାହିତ୍ୟର ପରମ୍ପରାପୁଷ୍ଟ ଚଉତିଶାର ଅକ୍ଷରକ୍ରମ ଶୈଳୀ ଏଠାରେ ଅନସୃତ ହୋଇଥିଲେ ମଧ୍ୟ ଶବ୍ଦ ନିର୍ବାଚନରେ ଓ ଯଥାର୍ଥ ଭାବ-ବିନ୍ୟାସରେ ଅସ୍ୱାଭାବିକତାର ସ୍ପର୍ଶ ଅନୁଭବ କରିହୁଏ ନାହିଁ । ସୁନିର୍ବାଚିତ ଭାଷାର ଚମତ୍କାର ପ୍ରୟୋଗ ଓ ପଦେ ପଦେ ସଙ୍ଗୀତର ମଧୁମୂର୍ଚ୍ଛନା କାବ୍ୟଟିକୁ ଏକାନ୍ତ ଉପଭୋଗ୍ୟ କରିବା ସଙ୍ଗେ ସଙ୍ଗେ ନ୍ୟୁତତମ ପଦରେ ବୃହତ୍ତମ ଅଭିବ୍ୟକ୍ତିର ସମସ୍ତ ଗୌରବ ପ୍ରଦାନ କରେ ।
ଏହା ଗୋଟିଏ ବୈଷ୍ଣବଧର୍ମୀୟ ଚିନ୍ତାପ୍ରବଣ କାବ୍ୟ ହେଲେ ମଧ୍ୟ କଥାବସ୍ତୁ ପରିକଳ୍ପନାରେ ଏହାର ଅନନ୍ୟ ସ୍ୱତନ୍ତ୍ରତା ଉଲ୍ଲେଖଯୋଗ୍ୟ । ଜନପ୍ରିୟ ଗୀତଗୋବିନ୍ଦ ଓ ଗରିମାମୟ ମହିମା ବିମଣ୍ଡିତ ‘‘ବିଦଗ୍ଧ ଚିନ୍ତାମଣି’’ ର ବିଷୟ ବିନ୍ୟାସଗତ କାବ୍ୟକଳା କୌଶଳଠାରୁ ଏହା ସମ୍ପୂର୍ଣ ସ୍ୱତନ୍ତ୍ର । ସମ୍ଭୋଗ ସଂଗ୍ରାମରେ ଶିଥିଳିତ ବେଶଭୂଷାର ପୁନର୍ବିନ୍ୟାସ ପାଇଁ ରାଧାଙ୍କ ଅନୁରୋଧ ଓ କୃଷ୍ଣଙ୍କ ଚାଟୂକ୍ତି ବ୍ୟତୀତ ଏଠାରେ ଗୀତଗୋବିନ୍ଦର ସ୍ୱର ସମ୍ପୂର୍ଣ ଅସ୍ପଷ୍ଟ । ବିଦଗ୍ଧ ଚିନ୍ତାମଣି ଓ ଚମ୍ପୂକାବ୍ୟର କଥାବସ୍ତୁ ପରିକଳ୍ପନାରେ କୌଣସି ସମତା ନାହିଁ । ଚମ୍ପୂ କାବ୍ୟର ‘କ’ ଗୀତଠାରୁ ‘ଭ’ ଗୀତ ମଧ୍ୟରେ ବଳଦେବୀୟ କବି-ପ୍ରତିଭା ଗୋଟିଏ କ୍ଷୀଣ କଥାବସ୍ତୁର ଖିଅ ଧରି ଯେଉଁ ପ୍ରକାଣ୍ଡ କାବ୍ୟ-ସୌଧ ନିର୍ମାଣ କରିଛି, ସେହି ସାନ୍ଦ୍ର ନିବିଡ଼ ସୁନିର୍ମିତ କାବ୍ୟକୃତୀର ତୁଳନା ଓଡ଼ିଆ-ସାହିତ୍ୟରେ ବୋଧହୁଏ ଆଉ ନାହିଁ । କଥା ପ୍ରବାହର ଧାରାବାହିକତା ଏଠାରେ ସବୁଠାରୁ ବଳି ଗୋଟିଏ ଉପଭୋଗ୍ୟ ବସ୍ତୁ, ଗୋଟିଏ ଗୀତରେ ବର୍ଣ୍ଣିତ ଭାବ -ବୈଚିତ୍ର୍ୟର ଅବଶ୍ୟମ୍ଭାବି ପରିଣତି ରୂପେ ପରବର୍ତ୍ତୀ ଗୀତଟି ଆତ୍ମପ୍ରକାଶ କରିଛି । ପ୍ରତ୍ୟେକ ପଦର ମାଧୁର୍ଯ୍ୟ ଓ ଯାଦୁକରୀ ସ୍ପର୍ଶ ପରବର୍ତ୍ତୀ ପଦର ଆବିର୍ଭାବ ପାଇଁ ଅନୁପେକ୍ଷଣୀୟ ଉତ୍କଣ୍ଠା ସୃଷ୍ଟି କରେ। କୃଷ୍ଣ ଓ ରାଧା-ଚରିତ୍ରରେ ଅତିମାନୁଷିକତାର ଅବର୍ଣ୍ଣନ ହିଁ କାବ୍ୟଟିକୁ ଜୀବନ୍ତ କରି ଗଢ଼ି ତୋଳିବାରେ ଅପୂର୍ବ ସଫଳତା ପ୍ରଦାନ କରି ପାରିଛି ।
ସମଗ୍ର କାବ୍ୟରେ ଗୋଟିଏ ସ୍ଥଳରେ ଯୁକ୍ତି ଛଳରେ ଏପରି ଗୋଟିଏ ଅତିମାନବିକ ପରିକଳ୍ପନା ସ୍ଥାନ ପାଇଥିଲା । କିନ୍ତୁ ପରବର୍ତ୍ତୀ ପଦରେ କବି ଯେପରି ଭାବରେ ପାଠକ ମନର ସେ ସମ୍ଭାବନାକୁ ଆଡ଼େଇ ଦେଇଛନ୍ତି; ଭାବିଲେ ବାସ୍ତବରେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ଉଦାହରଣ ସ୍ୱରୂପ ରାଧାଙ୍କ ସହିତ ମିଳନ ଘଟାଇବା ପାଇଁ କୃଷ୍ଣ ଯେତେବେଳେ ଲଳିତାକୁ ସୁନିର୍ବନ୍ଧ ଅନୁରୋଧ କରିଛନ୍ତି, ଲଳିତା ଛଳୋକ୍ତିକୁ ଆଶ୍ରୟ କରି କହିଛି- ‘‘ଡକାଦେବା ଦିନେ ଅରିଷ୍ଟେ ଉତ୍ତାନେ ଦେଖିଚି ଶକଟ ଦଶା, ଡାକି ମଧ୍ୟମାକୁ ଡାକି ଆଣିବାକୁ ଏଠାକୁ କାହା ଭରସା’ ‘ହେ କୃଷ୍ଣ, ତୁମେ ପିଲାଦିନେ ଅନ୍ତୁଡ଼ି ଶାଳରେ ଯେତେବେଳେ ଚିତ୍ ହୋଇ ଶୋଇଥିଲ ସେତେବେଳେ ଶକଟାସୁର ପରି ବଳବାନ୍ ରାକ୍ଷସକୁ ତୁମର କୋମଳ ହାତରେ ମାରିଦେଲ, ସେ କଥା ମୁଁ ନିଜେ ଆଖିରେ ଦେଖିଛି । ଏବେ ମୁଁ ଜାଣିଶୁଣି କେଉଁ ଭରସାରେ ମୋର ତନୁପାତଳୀ ଓ କ୍ଷୀଣକଟି ସଖୀଟିକୁ ଏଠାକୁ ଡାକି ଆଣି ସେଇ ହାତରେ ସମର୍ପି ଦେବି ? ତା’ର କି ଦଶା ହେବ ? କାଳେ ତା’ର ପ୍ରାଣବାୟୁ ଉଡ଼ିଯିବ । ସେଥିପାଇଁ ମୋର ବଡ଼ ଡ଼ର ।’ ଲଳିତା ଏଠାରେ ଯୁକ୍ତି ଛଳରେ ଯେଉଁ ଘଟଣାଟି ବର୍ଣ୍ଣନା କରିଛି; ବାସ୍ତବତା ଦୃଷ୍ଟିରୁ ତା’ର ଯୁକ୍ତିରେ କୌଣସି ପାଠକ ଅନୁପ୍ରାଣିତ ହେବେ ନାହିଁ । କାରଣ ପ୍ରେମିକ ଯେତେ ବଳଶାଳୀ ହେଲେ ମଧ୍ୟ ତା’ର ବାହୁ ବନ୍ଧନର ତାଡ଼ନ ସହି ନ ପାରି କୌଣସି ଅବଳା ପ୍ରେମିକାର ମୃତ୍ୟୁ ଘଟିଥିବା କଥା, କେବେ ହେଲେ ଶୁଣା ନାହିଁ । ଏଣୁ ଏହି ବର୍ଣ୍ଣନାରେ ବସ୍ତୁ ସ୍ଥିତିର ସ୍ୱାଭାବିକତାରେ ଯେଉଁ ସାମାନ୍ୟତମ ବ୍ୟତିକ୍ରମ ପରିଲକ୍ଷିତ ହୁଏ, ତାହାର ନିରାକରଣ, ତା’ର ପରବର୍ତ୍ତୀ ବାକ୍ୟରେ ବେଶ୍ ଚମତ୍କାର ଭାବରେ କରାଯାଇଛି । ରାଧାଙ୍କୁ ଆଣି କୃଷ୍ଣ ସହିତ ମିଳନ କରାଇବାରେ ଲଳିତା ମନରେ ଯେଉଁ ସବୁ ଭୟ ଓ ଆଶଙ୍କା ଅଛି, ଚାତୁର୍ଯ୍ୟପୂର୍ଣ୍ଣ ରୀତିରେ ସେ ଗୋଟିକ ପରେ ଗୋଟିଏ ଆଣି ଥୋଇଛି । ପୂର୍ବ ବାକ୍ୟଟିରେ ରସିକତା ପ୍ରକାଶ କରିବା ବ୍ୟତୀତ, ଯୁକ୍ତି ଦୃଷ୍ଟିରୁ କୌଣସି ଗୁରୁତ୍ଵ ଆରୋପ କରାଯାଇ ନାହିଁ । ଧରି ନିଆଯାଉ କୃଷ୍ଣଙ୍କ ତରଫରୁ ଦୃଢ଼ ପ୍ରତିଶ୍ରୃତି ମିଳିବ ଯେ ଏପରି ଆଶଙ୍କା ଅମୂଳକ, ତା ସଖୀର ସେପରି କୌଣସି ଅନିଷ୍ଟ ହେବାକୁ ସେ ଦେବେ ନାହିଁ । ତଥାପି ଯେତେବେଳେ-
‘‘ଡବ ଡବ ବାରି ନିଃସରିବ ଚାରି ପହରେ ନୟନ ଯୁଗୁ
ଡହ ଡହ ହେବ ମୃଦୁ ଅବୟବ ଶ୍ୟାମ ଶ୍ରୀ ଅଙ୍ଗଟି ଭୋଗୁ ।’’
ଲଳିତା କୃଷ୍ଣଙ୍କୁ କହୁଛି- ଥରେ ମୋର ସଖୀ ତୁମର ଶ୍ରୀ ଅଙ୍ଗଟି ଭୋଗ କରି ସାରିବା ପରେ ତା’ର ସେ କୋମଳ ତନୁଲତାଟି ମଦନଜ୍ୱାଳାରେ ଯେତେବେଳେ ଡହ ଡହ ହେବ, ଦିନରାତି ସେ ତୁମର ଚିନ୍ତାରେ ବସି ଆକ୍ଷିରୁ ଲୁହ ଗଡ଼ାଇବ । ମୋ ସୁକୁମାରୀ ସଖୀର ସେ ହୃଦୟ-ବିଦାରକ କରୁଣ ଦୃଣ୍ୟ ମୁଁ ଦେଖି ପାରିବି ନି । ଏଣୁ ଏ କାମରେ ମୁଁ ମୋଟେ ହାତ ଦେବି ନାହିଁ । ମୁଁ ପାରିବି ନି । ଏଇଠି ଲଳିତାର ମନଗଢ଼ା ଆଶଙ୍କା ଛଳୋକ୍ତି ପ୍ରସୂତ ହୋଇଥିଲେ ମଧ୍ୟ ସ୍ୱାଭାବିକତାର ପ୍ରାଣପ୍ରାଚୁର୍ଯ୍ୟରେ ଯେପରି ସ୍ୱଚ୍ଛନ୍ଦ ସେପରି ରୁଦ୍ଧିମନ୍ତ ।
କାବ୍ୟଗତ ଚରିତ୍ର ଗୁଡ଼ିକର ଜୀବନ୍ତ ଚିତ୍ରଣ ହିଁ ଯେ କୌଣସି କୃତୀକୁ ଶ୍ରେଷ୍ଠ କାବ୍ୟର ଗୌରବ ପ୍ରଦାନ କରେ । ଏଠାରେ ଚାରିତ୍ରିକ ବୈଶିଷ୍ଟ୍ୟ ଉଦ୍ଘାଟନ ପାଇଁ କବିସୂର୍ଯ୍ୟ ଗୋଟିଏ ଅପୂର୍ବ କୌଶଳ ଅବଲମ୍ବନ କରିଛନ୍ତି । କଥାବସ୍ତୁର କାବ୍ୟିକ ପରିକଳ୍ପନାରେ ପାଠକର ଦ୍ୱିବିଧ ବସ୍ତୁସ୍ଥିତି ବିଷୟରେ ସଜ୍ଞାନତା ହିଁ ସୂକ୍ଷ୍ମାତିସୂଷ୍ମ ଚାରିତ୍ରିକ ବୈଶିଷ୍ଟ୍ୟ ଉଦ୍ଘାଟନରେ ସହାୟକ ହୋଇ ପାରିଛି ।
କୃଷ୍ଣାନୁରାଗିଣୀ ରାଧାଙ୍କ ବିରହ ବ୍ୟଥା ପାଠକ ଭଲଭାବେ ଜାଣେ । ତଥାପି ସେ ଯେତେବେଳେ ଦେଖେ ବିରହୀ କୃଷ୍ଣ, ରାଧାଙ୍କ ସହିତ ଟିକିଏ ମାତ୍ର ମିଳନ କରାଇ ଦେବା ପାଇଁ ବିକଳ ହୋଇ ଦୂତୀ ଲଳିତାକୁ ସହସ୍ର ସନିର୍ବନ୍ଧ ଅନୁରୋଧ କରି ଚାଲିଛନ୍ତି ; କିନ୍ତୁ ଲଳିତା ଚତୁରତାର ସହିତ ପ୍ରତ୍ୟାଖ୍ୟାନ କରି ଚାଲିଛି । ସେତେବେଳେ ମାନବିକ ଚରିତ୍ରର ନିଖୁଣ ମାନସ ଚିତ୍ର ସନ୍ଦର୍ଶନରେ ସେ ବିମୁଗ୍ଧ ହୁଏ । ଶେଷରେ କୃଷ୍ଣଙ୍କ ଦୌତ୍ୟ ସ୍ୱୀକାର କରି ଲଳିତା ରାଧାଙ୍କର ଯେଉଁ ଅସହିଷ୍ଣୁ ଚିତ୍ରଟି ଆଙ୍କିଛି ତାହା ଯେପରି ଆମୋଦଦାୟକ ସେହିପରି କାରୁଣ୍ୟ-ବ୍ୟଞ୍ଜକ । ଏ ସମସ୍ତ କଥାବାର୍ତ୍ତାରେ ଲଳିତାର ସ୍ୱଚ୍ଛନ୍ଦ ଶାଶ୍ୱତ ଚାରିତ୍ରିକ ଚିତ୍ରଟି ପାଠକକୁ ମନ୍ତ୍ରମୁଗ୍ଧ କରେ । ସେହିପରି କୃଷ୍ଣ, ବିରହରେ ଛଟପଟ ହେଉଥିବା ବେଳେ ଲଳିତା ସେ କଥା ପଚାରି ଦେବାରୁ ‘କାହିଁ ମୋର ତ କିଛି ହୋଇନାହିଁ’ ବୋଲି କହିବା ଭିତରେ ପାଠକ ମଣିଷ ସ୍ୱଭାବର ଅବିକଳ ଚିତ୍ରଟିଏ ପାଏ । ବସ୍ତୁସ୍ଥିତ ବିଷୟରେ ଆଗରୁ ପାଠକ ସଚେତନ ଥିବାରୁ ଏପରି ସମସ୍ତ ସଂଳାପ ବେଶ୍ ଆମୋଦଦାୟକ ହେବା ସଙ୍ଗେ ସଙ୍ଗେ ମନସ୍ତାତ୍ତ୍ୱିକ ବିଶ୍ଳେଷଣ ମାଧ୍ୟମରେ ଚରିତ୍ରଗୁଡ଼ିକୁ ଜୀବନ୍ତ, ବାସ୍ତବ ତଥା ପ୍ରାଣସ୍ପର୍ଶୀ କରି ଗଢ଼ି ତୋଳିବାରେ ଅପୂର୍ବ ସଫଳତା ଲାଭ କରିଛି !
ଚମ୍ପୁ କାବ୍ୟରେ କବିସୂର୍ଯ୍ୟ ମାନବିକ ସ୍ୱଭାବ ନିରୀକ୍ଷଣ କରିବାରେ ଯେଉ ପାରଦର୍ଶିତା ଦେଖାଇଛନ୍ତି, ତାହା ଗୋଟିଏ ଅବଶ୍ୟ ଉଲ୍ଲେଖଯୋଗ୍ୟ ବିଷୟ । ମଣିଷର ହର୍ଷ-ବିଷାଦ, ଆଶୁ-ଆନନ୍ଦ ପୀଡ଼ାପୁଲକ, ଜୟ-ପରାଜୟ, ମାନ-ଅଭିମାନ, ପ୍ରତୀକ୍ଷା ଓ ଉପେକ୍ଷା ସବୁ ଏପରି ସହଜ ଭାବରେ ରାଧାକୃଷ୍ଣ ଓ ଲଳିତା ମଧ୍ୟ ଦେଇ ଆତ୍ମପ୍ରକାଶ କରିଛନ୍ତି ଯେ ସେଥିରେ ଅସ୍ୱାଭାବିକତାର ସାମାନ୍ୟତମ ଆଭାସ ସୁଦ୍ଧା ଅନୁଭବ କରିହୁଏ ନାହିଁ । ଚମ୍ପୂ କାବ୍ୟଟି ଗୌଡ଼ୀୟ ବୈଷ୍ଣବୀୟ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଥିଲେ ମଧ୍ୟ ଓଡ଼ିଆ ବୈଷ୍ଣବ ସାହିତ୍ୟରେ କାବ୍ୟିକ କଳ୍ପନାରେ ସ୍ପନ୍ଦନହୀନ କେତୋଟି ସାଧାରଣ ଚିତ୍ର ଯେପରି ଗତାନୁଗତିକ ଭାବେ ସମସ୍ତ କବି ଲେଖନୀରେ ରୂପାୟିତ ତାହାର ନାମ-ଗନ୍ଧ ସୁଦ୍ଧା ଏଠାରେ ଦେଖିବାକୁ ମିଳେ ନାହିଁ। ଅନ୍ୟାନ୍ୟ ବୈଷ୍ଣବ କବିମାନେ ବିପ୍ରଲଭ ବର୍ଣ୍ଣନାବେଳେ ଦୁଃଖାତ୍ମକ ଅନୁଭୁତିକୁ ବର୍ଣ୍ଣନା କରିବାକୁ ଯାଇ ଯେଉଁ ହାସ୍ୟକର ଚିତ୍ର ଚନ୍ଦ୍ରୋପଲମ୍ଭନାଦି ମାଧ୍ୟମରେ ଉପସ୍ଥାପିତ କରିଥାନ୍ତି, ତାହା ସମ୍ପୂର୍ଣଭାବେ ଏଠାରେ ପରିତ୍ୟକ୍ତ । ଶୃଙ୍ଗାର ରସାତ୍ମକ କାବ୍ୟ ଭାବରେ ଏଠାରେ ସମସ୍ତ ଉପାଦାନ କବିତ୍ଵପୂର୍ଣ୍ଣ ରୀତିରେ ସୁସଂଯୋଜିତ । ବିଶେଷ କରି ଅନୁଭାବ ଓ ସଞ୍ଚାରୀ ଭାବଗୁଡ଼ିକର ଯେଉଁ ପ୍ରାଣବନ୍ତ ଚିତ୍ର କବି ଆଙ୍କିଛନ୍ତି, ସେଗୁଡ଼ିକ ଅନୁଭୁତିର ତୀବ୍ରତାରେ ଏକାନ୍ତ ହୃଦ୍ୟ ଓ ଚିତ୍ତାକର୍ଷକ ହୋଇପାରିଛି । ଏଠାରେ ରାଧାକୃଷ୍ଣଙ୍କ ମଧ୍ୟରେ ଅନୁରାଗର ଅୟମାରମ୍ଭ ଜନ୍ମ ପୂର୍ବରୁ ନୁହେଁ କି ପିଲାଦିନୁ ନୁହେଁ । ନାମ ଶ୍ରବଣରୁ ନୁହେଁ କି ଚିତ୍ର ଦର୍ଶନରୁ ନୁହେଁ । ସେ ଅନୁରାଗ ଯୋଡ଼ିଏ ଶାଶ୍ୱତ ଯୁବକ ଯୁବତୀର ଲୋଭନୀୟ ସ୍ୱରୂପ ଦର୍ଶନଜନିତ ସ୍ୱାଭାବିକ ପରିଣତିରୁ ଘଟିଛି । ତା’ ପରେ ଦୁନିର୍ବାର ଚିତ୍ତଚାଞ୍ଚଲ୍ୟ ଓ ମିଳନାକାଂକ୍ଷାର ଚମତ୍କାର ପରିପ୍ରକାଶ ଅତି ସ୍ୱାଭାବିକ କଥା । କାବ୍ୟବର୍ଣ୍ଣିତ ରାଗାନୁରଗାର ପ୍ରଣୟ ବନ୍ୟାରେ ଭାସମାନ ନାୟକ ନାୟିକାର ମନସ୍ତତ୍ତ୍ୱ ସମ୍ମତ ସୂକ୍ଷ୍ମତିସୂକ୍ଷ୍ମ ଅନୂଭୂତି ରୂପାୟନରେ କେଉଁଠି ହେଲେ ସ୍ଥୂଳ ଯୌନଚିତ୍ରର ଅଶ୍ଳୀଳ ହୋଇ ନାହିଁ । ଏହି କାବ୍ୟର ସର୍ବଶ୍ରେଷ୍ଠ କୃତିତ୍ୱ ହେଉଛି, ଯେକୌଣସି ଭାଷାରେ ଅନୁବାଦ ଯୋଗ୍ୟତା ଓ ନ୍ୟୁଦତମ ପଦରେ ବୃହତ୍ତମ ଭାବର ସ୍ୱଚ୍ଛନ୍ଦ ଓ ସାବଲୀଳ ଅଭିବ୍ୟକ୍ତି ।