Unknown

ତରଙ୍ଗିଣୀ

ନନ୍ଦକିଶୋର ବଳ

 

ମୁଖବନ୍ଧ

Imageଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତି—ଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :—

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?” (ରାଓଙ୍କ ସ୍ମୃତି—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃଷ୍ଠା ୧୧୧୮−୧୯)

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା । ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ—

 

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

ପୁଣି:—

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

 

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’—ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି—କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ । ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’—ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:—

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

 

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’—

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନ ଥାଏ । ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନ ଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :—

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।” (ଭାରତର ଭବିଷ୍ୟତ୍ ଭାଷା—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃ ୧୦୩୭−୩୮)

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା—ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି ? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

 

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇ ନ ଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Rennaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ । ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ । ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ । ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନ ଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ । ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪।୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ । ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତନ୍ତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇ ଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

 

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି– “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ– “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ । ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟରପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି–ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ । ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ–ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରି ନ ଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା ।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ–

“ହେ ଈଶ୍ୱର, ହର ମୋର ସର୍ବ ଅଧୀନତ,

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା ।”

କୁସୁପୁର

 

 

 

 

ତା ୨୫ । ୪ । ୧୯୫୫

 

 

 

ଶ୍ରୀ ସୂର୍ଯ୍ୟମଣି ଜେନା

 

ଉତ୍‌ସର୍ଗ

 

ମୋର ବାଲ୍ୟଗୁରୁ, ଯୌବନସଖା, ଚିରଜୀବନ ସାହିତ୍ୟସେବୀ, ଉତ୍କଳ−ସାହିତ୍ୟ" ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ପଣ୍ଡିତ ବିଶ୍ୱନାଥ କର ମହାଶୟଙ୍କ ଶ୍ରୀକରକମଳରେ ଏହି ପୁସ୍ତିକା ଭକ୍ତିସହକାରେ ସମର୍ପିତ ହେଲା ।

 

କୁସୁପୁର

ତା ୨୦।୫।୫୬

 

ଶ୍ରୀ ନନ୍ଦକିଶୋର ବଳ

 

 

ପ୍ରଣୟ−ସ୍ମୃତି

 

ତରୁଶିରେ ଅସ୍ତୋନୁଖ ରବି−ରଶ୍ମି−ରେଖା

ମୂମୂର୍ଷୁ ମେଲାଣି ଦୃଶ୍ୟ ସମ ଯାଏ ଦେଖା ।

ଦୂରେ ଚକ୍ରବାଳ ତଳେ ସନ୍ଧ୍ୟାସୀମନ୍ତିନୀ

ଓଢ଼ଣା ଓଟାରି ଉଭା ହେଲେ ତାମସିନୀ ।

ସପ୍ତଶଯ୍ୟା ଶିରେ ଦିବା ଅସ୍ତମାନ ମୂର୍ତ୍ତି

କ୍ଷୋଭେ ଚିତ୍ତ, ଅସୁଖୀର ଯଥା ସୁଖସ୍ମୃତି ।

କେତେ ଥର ଏହି ଦୃଶ୍ୟେ କେତେ ଭାବରାଶି

ମୋ ହୃଦୟେ ଲୀଳା କଲେ ଅନୁଦିନ ଆସି ।

ତ୍ରିସନ୍ଧ୍ୟା ବାସର ନିଶି ସପ୍ତଶଯ୍ୟା ଗିରି

ଦେଖାଇଛି କେତେ ତାର ନିସର୍ଗର ଶିରୀ !

 

ମଧୁର ଶୈଶବ ସ୍ମୃତି, ଯୌବନର ମାୟା,

ଜରାର ଭବିଷ୍ୟ ଦୃଶ୍ୟ, ପରକାଳ−ଛାୟା,

ଶିଖରିସମାଜ ସଙ୍ଗେ କାଠଯୋଡ଼ୀ ତଟେ

ଚିତ୍ରିତ ହୋଇଛି ଏ ମୋ ମୁଗ୍‌ଧ ଚିତ୍ତ−ପଟେ !

 

ଆଜି ମନେ ପଡ଼େ ମୋର ନବଯୌବନର

ଲୁକ୍‍କାୟିତ ଯାହା କାଳ−କରାଳ−ଉଦର !

ପ୍ରେୟସୀ−ପ୍ରଥମ−ପ୍ରୀତି, ମଧୁର ଚୁମ୍ବନ,

‘ଭଲ ପାଅ କି ନା ପ୍ରିୟେ’ ପ୍ରଣୟ−ପ୍ରଶନ,

ଶ୍ରବଣେ ନବୀନା ଗଣ୍ଡ−ପାଟଳ−ବରଣ

ବୀଡ଼ାଭରେ ନିରୁତ୍ତରେ ପାଶୁଁ ପଳାୟନ ।

ଯେତେ ପଚାରିଲେ ଥିଲା ତା ଚିର ନବୀନ,

ଦିନୁ ଦିନ ସେହି ମୁଖ ଦିଶୁଥିଲା ଭିନ୍ନ ।

କିପାଇଁ ଗଲା ସେ ମୋହ ନେଉଟିଲା ନାହିଁ,

ଗଲା ଯେବେ ପ୍ରୀତି−ସ୍ମୃତି ପଡ଼ିଛି କିପାଇଁ ?

 

 

ତଥାପି କିପାଇଁ ତୃପ୍ତ ନୁହେ ରେ ହୃଦୟ,

କାହିଁ ଗଲା ପ୍ରଣୟର ମୋହ ମାୟାମୟ !

ନବୀନ ପ୍ରଣୟ ! ଆରେ ପ୍ରାଣସ୍ପର୍ଶମଣି,

ଅଟୁ ତୁହି ଅକଳନ୍ତା ଲାବଣ୍ୟର ଖଣି ।

ମହୀରେ ସୁନ୍ଦର ତୋହ ବିନା ନାହିଁ ଆଉ,

କି ମାୟା−ସଙ୍ଗୀତ ତୁ ରେ ପ୍ରାଣାକାଶେ ଗାଉ ?

ସେ ସ୍ୱର୍ଗୀୟ ମନ୍ତ୍ରେ ମୁଗ୍‌ଧ ଏ ବିଶ୍ୱସଂସାର

ତରୁଣ ତରୁଣୀ ନେତ୍ରେ ଦିଶେ କି ବାହାର !

ଦିବ୍ୟ ସୃଷ୍ଟି ଅପରୂପ ମାନସ ସର୍ବମାୟା,

ରହିଥାଏ ମାତ୍ର ଆହା ତୋର−ସ୍ନୃତି−ଛାୟା ।

ପ୍ରଣୟ ତୁ ଚିରଦିନ ରହୁ କେଉଁ ଦେଶ,

କେଉଁ ଦେଶେ ନତୁଟଇ ପ୍ରଣୟ ଆବେଶ ?

ତନୁ−ଲାବଣ୍ୟରେ ଜାଣେନ ମେଣ୍ଟାଇ ଆଶା,

କାହିଁରେ ପୂରଇ ପ୍ରାଣ ପ୍ରଣୟ−ପିଆସା ?

 

ଶାଶ୍ୱତ ପ୍ରଣୟ ନୁହେ ମୋହ ଜଗତର,

ତୃଷାର୍ତ୍ତ ପରଣ ବାଞ୍ଛେ କିବା ନିରନ୍ତର !

କି ମହା ଅଭାବ ଏହି ମାନବ−ଅନ୍ତରେ,

ନିଶି ଦିବା କାହିଁ ପାଇଁ ବ୍ୟାକୁଳିତ କରେ !

କାହିଁ ସେହି ନିତ୍ୟ ସୁଖ ଯା ଲାଗି ଏ ମନ

ପିଆସୀ ଚାତକ ପ୍ରାୟ ନିରତେ ଉଚ୍ଛନ୍ନ !

 

ପ୍ରତ୍ୟାଖ୍ୟାତ

—୧—

 

ଏତେ ତ ସଙ୍ଗାତ କରି ନ ଥିଲଇଁ ଆଶା,

ବଢ଼ାଇଲ ନିଜେ ପ୍ରୀତ−ଅଦ୍ୟମ−ପିପାସା ।

ଚଢ଼ାଇଲ ଯେବେ ତୁଙ୍ଗ ଗିରୀନ୍ଦ୍ରଶିଖରେ,

ପିଙ୍ଗି ଦେଲେ ପୁଣି କିମ୍ପା ଗଭୀର ଗହରେ ?

ଶାନ୍ତି ତ୍ରିଦିବରୁ ରାଇ ମଧୁ ବଂଶୀସ୍ୱନେ,

କିପାଇଁ ତେଜିଲ ପୁଣି ଗହନ କାନନେ ?

କଳ୍ପତରୁ−ଛାୟା ତଳେ ବସାଇଲ ଯେବେ,

କ୍ଷୁଧାର୍ତ୍ତ ବ୍ୟାକୁଳ ପ୍ରାଣ କିମ୍ପା ମୋର ତେବେ ?

ଉଦ୍ଦାମ କଲ୍ଲୋଳେ ଚଳେ ସୁର ତରଙ୍ଗିଣୀ,

ଶୁଷ୍କକଣ୍ଠତାଳୁ ପ୍ରାଣ ମୋର ରେ ସଙ୍ଗିନୀ !

ବସନ୍ତ ମଳୟାନିଳ ବହଇ ନିରତ,

ଶ୍ୱାସ ବାୟୁ ବିନା କିପାଁ ମୁହିଁ ମୃତବତ ।

ସୁରଧୁନୀ−ତୀରେ ବସି ତୃଷା ନ ମେଣ୍ଟଇ,

କିଏ ଦେଲା ବଜ୍ରବାଡ଼ ତୋ ମୋ ମଧ୍ୟେ ସହି ?

 

—୨—

 

ଦେଖାଇ ହରିଲ କିପାଁ ମୋହ ମରୀଚିକା,

ଅକ୍ଷୟ କୋଠ ଭଣ୍ଡାରୁଁ ଦେଲ ନାହିଁ ଭିକ୍ଷା ।

ନ ଥାନ୍ତା ପ୍ରଣୟଯେବେ ତୋ ହୃଦ−ଭଣ୍ଡାରେ,

ପାଇଣ ନ ଥାନ୍ତି ମୁହିଁ ତା ସନ୍ଧାନ ବାରେ,

ତୋ ଦ୍ୱାରେ ଭିକ୍ଷାର୍ଥୀ ହୋଇ ନ ଥାନ୍ତି ମୁଁ କେବେ

ଦେଖାଇ ହରିଲ ତେଣୁ ମୃତକଳ୍ପ ଏବେ ।

ପିଆଇଲ ପ୍ରମମଦ ବଢ଼ିଲା ପିପାସା,

ନ ହେଲା ସାଧନେ ସିଦ୍ଧି ନ ମେଣ୍ଟିଲା ଆଶା ।

ବୃଶ୍ଚିକ ଦଂଶନ ସମ ପୂର୍ବ ସ୍ମୃତି ଜାଗେ,

ମୋ ମର୍ମ−ବେଦନା−ବାର୍ତ୍ତା କହିବି କା ଆଗେ ?

 

ଯେ ନେତ୍ର−ବିଭାରେ କ୍ଷଣପ୍ରଭା କଲା କ୍ରୀଡ଼ା,

ମୋହରାଜ୍ୟ ବାର୍ତ୍ତା ଦେଉଥିଲା ମଧୃବ୍ରୀଡ଼ା,

ନାହିଁ ପ୍ରାଣ ଅଛି ଦେହ ଭାବହୀନ ଭାଷା,

ପାଷାଣି ରେ ! ମେଣ୍ଟାଇବ ଆଶାୟିର ଆଶା ?

 

________

 

ହତାଶ ପ୍ରଣୟୀ

 

ଗଳାକାଟି ! ସ୍ମୃତିପଟୁ ପୋଛି ମୋର କଥା,

କାହା ଘର କୋଣେ ଯାଇଁ ଲୁଚାଇଲୁ ମଥା !

ମୋ ବାରତା ତୋ ଶ୍ରବଣେ ପହଞ୍ଚେ କି ନାହିଁ,

ତଥାପି ତୋ କଥା ଭାଳି ଝୁରେଁ କାହିଁ ପାଇଁ ?

ତୋ ବିଚାରେ ମୃତ ମୁହଁ ନାହିଁ ଭବଧାମେ,

ଚମକେ ମୋ ଚିତ୍ତ ତେବେ କିମ୍ପା ତବ ନାମେ ?

ହାଣିଥିଲୁ ଏହି ବକ୍ଷେ ଯେ ଅପାଙ୍ଗ−ଶର,

ସେ କ୍ଷତ ଶୁଖି ତ ନାହିଁ ଆଜି ଯା ମୋହର ।

 

ସ୍ମୃତିଘାତେ ଦର ଦର ଧାରେ ବହୁବାର

ରେ ନିଠୁରେ! ବହେ ତହୁଁ ରୁଧିର−ଆସାର ।

ଇଚ୍ଛା ହୁଏ 'ତୁହି ମନ୍ଦ' ପାଞ୍ଚି ୟା ମନରେ

ବିସର୍ଜିବି ସ୍ମୃତି ତବ ବିସ୍ମୃତି−ସାଗରେ ।

ନୀଳନେତ୍ର ପଡ଼େ ମନେ, ବିଷାଦ ପ୍ରବଳ,

କହିବି କି 'କଷା ପକ୍ୱ ଦ୍ରାକ୍ଷାଲତା ଫଳ'?

ଢଳ ଢଳ ନୀଳନେତ୍ର ବେନି ତବ ପ୍ରିୟା,

ମନେ ପଡ଼ି ଦହି ହୋଇଯାଏ ଏ ମୋ ହିଆ ।

ସେ ନେତ୍ର−ଅପାଙ୍ଗେ କାହା ମୁଖେ ପ୍ରେମଭରେ

ଅନାଇ କରୁଛୁ ସୁଖୀ କେଉଁ ଧନ୍ୟ ନରେ !

କମଳ କୁସୁମ ସମ କପୋଳମଣ୍ଡଳ,

ଲାବଣ୍ୟ ସରସୀ ସମ ସ୍ୱଚ୍ଛ ଢଳଢ଼ଳ,

 

 

କିଏ ସେହି ଗଣ୍ଡେ ଦେଇ ସପ୍ରେମ ଚୁମ୍ବନ

ବକ୍ଷେ ଚାପି କରୁଥିବ ଗାଢ଼ ଆଲିଙ୍ଗନ !

ଘନ ନୀଳ ଘନେ ତୋରା ସୌଦାମିନୀ ସମ

ଘନକୃଷ୍ଣ ନୀରେ ତୋରା ପ୍ରଫୁଲ୍ଲ କୁସୁମ ।

ସମାନ କୁଞ୍ଚିତ ଘନ କୃଷ୍ଣ କେଶ ତଳ

ଝଟକ ଗଉର ତବ ଆନନମଣ୍ଡଳ,

କଳ୍ପନା−ଗଗନ ତଳେ ହୋଇ ସମୁଦିତ

ସ୍ୱର୍ଗୀୟ−ସ୍ୱପନ ସମ ହୁଏ ରେ ପ୍ରତୀତ ।

ସ୍ୱର୍ଣ୍ଣଶଙ୍ଖ ସମ ତବ ସୁକୁମାର ଗଳା

ବେଢ଼ି ଝୁଲୁଥାଏ ଯହିଁ ଗଜମୋତି ମାଳା,

ପ୍ରେମ−ସୁଧା−ପୂର୍ଣ୍ଣ ତୁଙ୍ଗ ତ୍ରିଦିବ ଯୁଗଳ

ଲାବଣ୍ୟଲେପିତ ନବ ପ୍ରୀତି ଢଳ ଢଳ

ପ୍ରଣୟୀ−କଳ୍ପନା−ନୀଡ଼ ଉତ୍ତଙ୍ଗ ବାସନା

ବିଧି−ଶିଳ୍ପ−ସୀମା ଯାହା ଜୀବନ−କାମନା

ରସାଣିତ ସୁବଳିତ ସୁଗୋଲ ସରଳ

ରସିକ ନୟନ ଧ୍ୟାନ ଚରଣଯୁଗଳ,

 

ସୁଢ଼ଳ ମନ୍ଥର ଗତି ତରଳ ଚାହାଣି,

କଳକଣ୍ଠସ୍ୱନ ବୀଣାଜିଣା ମଧୁବାଣୀ,

ଅସରନ୍ତା ପ୍ରଣୟର ଅକ୍ଷୟ ଭଣ୍ଡାର

ପ୍ରଣୟି−ଲୋଚନେ ଦିଶେ ଏ ସଂସାରେ ସାର

ଯାଇଛି ସଙ୍ଗାତ କିନ୍ତୁ ତବ ସ୍ମୃତିଶେଷ

କଳ୍ପନାରେ ବୋଳିଅଛି ମଧୁର ଆବେଶ !

 

_________

 

 

ନିରାଶ ପ୍ରଣୟ ସ୍ମୃତି

 

ମଧୁର ପ୍ରଣୟ କଢ଼ି ଆସୁଥିଲା ବଢ଼ି ବଢ଼ି,

ପଥର ପଥୁକୀ ଆଶା ବଢ଼ାଇଲା ମନ !

ଫୁଟିଣ ଲାବଣ୍ୟ ଫୁଲ ଦେଲା ସେ ପ୍ରୀତିର ମୂଲ,

ପ୍ରୀତି−ଋଣେ ଋଣୀ କରି କଲା ସେ ଗମନ !

 

ଏବେ ଚହଟାଇ ବାସ ମହକାଇ ଚଉପାଶ

ଫୁଟିଛି ସୁମନ କିମ୍ପା ନ ପେରେ ସେ ଜନ !

ଯୌବନ କୁସୁମ ଝଡ଼ି ଦୁଇଦିନେ ଯିବ ପଡ଼ି,

ଦାରୁଣ ସଂସାର ତାହା ଦଳିବ ଚରଣ ।

ଆଶା−ଆକାଶର ଇନ୍ଦୁ ନ ଦେଲାରେ ସୁଧାବିନ୍ଦୁ,

ନୟନ−ଲୋତକ ଆହା ଶୁଖିଲା ନୟନ !

ଯାହାକୁ ଜୀବନ−ତରୀ ଥିଲି ଅରପଣ କରି,

ଠେଲି ଚାଲିଗଲା ସେ ଯେ ବାରିଧି ଜୀବନ !

 

ଯୌବନ ବାଜେଣୀ ବୀଣା ତ୍ରିଦିବ ସଙ୍ଗୀତଜିଣା

ଛିନ୍ନତାର ହୋଇ ଆହା ହେଲା ରେ ମଉନ !

ଯାଏ ପ୍ରଭା ପ୍ରଭାତର ମାଡ଼ି ଆସେ ଖରତର

ମଧ୍ୟାହ୍ନ ଦାରୁଣ ଖରା ମଉଳେ ସୁମନ !

ପୁଷ୍ପବତୀ ଚାରୁ ଲାତା, ଶୁଣ ଦୀନ କବି କଥା,

ପ୍ରୀତି ଦିଏ ସୁଖ ହେଲେ ବିଚ୍ଛେଦେ ମିଳନ ।

ବିଚ୍ଛେଦ ଅଟଇ ଭଲ ସଂଶୟଟି ହଳାହଳ,

ଆଶା ବିଶ୍ୱାସେ ବିଜୟୀ ପ୍ରୀତି ତ୍ରିଭୁବନ ।

 

———

 

ଶେଫାଳିକା ପ୍ରତି ଅଳି

 

ଆଗୋ ଶେଫାଳିକା,

ତୋହଠାରେ ମୋର ପ୍ରାଣବିକା ।

ସରୁ ସୁକୁମାର ତୋ ଶ୍ରୀଅଙ୍ଗ

କି ସୁନ୍ଦର ପଦ୍ମରାଗ−ରଙ୍ଗ !

ଶୁଭ୍ର ସୁଶୋଭନ            ତନୁ−ଅପଘନ

ମନୁ ନ ଯାଏ ମୋ ପ୍ରାଣାଧିକା ।

ଶ୍ରୀଅଙ୍ଗ−ସୁଷମା ସୁକୋମଳ,

ତହିଁ ନୀରବିନ୍ଦୁ ଢଳ ଢଳ ।

ତହିଁ ରବିକର            ପଡ଼ି କି ସୁନ୍ଦର !

ପାସୋର ନ ଯିବ ସୁରସିକା ।

ନିର୍ମଳ ମଧୁର ଉଷାକାଳେ

ଶୋଭୁଥାଉ ଯେବେ ଧରାତଳେ,

ଫୁଲଶେଯ ତୋର            ଦିଶେ କି ରୁଚିର

ଶୋଭେ ତୋରା ଦେହେ ନାଲି ଟିକା ।

ଅଙ୍ଗ ଯଷ୍ଟି ରଙ୍ଗ ସୁକୁମାର,

ସୁବାସ ତାହାରି କି ବାହାର !

ଲପନ ତୋହରି            ପଦ୍ମିନୀ ସୁନ୍ଦରୀ !

ବାସୀ ହେଲେ ଅଙ୍ଗ ଦିଶେ ଫିକା ।

_______

 

 

 

ପିକ

 

କାହିଁକି ରାବୁ ରେ ପିକ, ବନେ କୁହୁ କୁହୁ ସ୍ୱନେ

ତୋ ରାବ ଶୁଣି ରେ ମଣି ପଡ଼େ କାହା କଥା ମନେ !

ମଧୁର ବାସନ୍ତୀ ଉଷା ପିନ୍ଧଣ କୁସୁମ ଭୂଷା

ଆସି ଉଭା ହୁଏ ସେ ଯେ ନିର୍ମଳ ନୀଳ ଗଗନେ ।

 

କାହଁକି ରସାଳ−କୁଞ୍ଜେ ଢାଳୁ ତୁ ପଞ୍ଚମ−ତାନେ,

ତୋ ରାବ ଶୁଣନ୍ତେ କିପାଁ ବିଷାଦ ହୁଏ ପରାଣେ ?

ମନ୍ଦ ମନ୍ଦ ସମୀରଣ ବକୁଳ−ଗନ୍ଧ ବହିଣ

ମହକାଇ ଦିଏ ଯେବେ ହେଳେ ବିଶ୍ୱବାସି−ମନେ ।

କାହିଁକି ଗହନବନେ ରାବୁ ତୁ ପଞ୍ଚମ−ତାନେ

କେଉଁ ବିଗତ−ସ୍ୱପନ−ରାଜ୍ୟ−ଛାୟା ପଡ଼େ ପ୍ରାଣେ ?

କାହିଁ ଆସିଲା ଏ ଜୀବ ? କାହିଁ ଏ ଚରମେ ଯିବ ?

କି ଉଦ୍ଦେଶ୍ୟ ଏ ଜୀବର ? ମନ ବୁଡ଼େ ଏହି ଧ୍ୟାନୋ

 

_______

 

ବସନ୍ତ ଓ ଧରଣୀ

 

ଋତୁରାଜ ବସନ୍ତ ରେ ଆସ ରେ ଅବନୀ−ଘରେ

ଏତେ କାଳ ଥିଲୁ କାହିଁ ଭୁଲି କା ପ୍ରେମ ମନ୍ତରେ ?

ତୋ ବିରହେ ତୋ ପ୍ରେୟସୀ ଭାଳୁଥିଲା ବସି ବସି

ସହିଣ ନିଦାଘ−ତାପ ବରଷା−ଧାରା ଶିଶିରେ ।

ତୋହ ବିଚ୍ଛେଦେ ଧରଣୀ ହୋଇ ଯେହ୍ନେ ବାଣାଏଣୀ

ଦିନ ଗଣୁଥିଲା ଧନୀ ରହି ଘୋର ଭାଳେଣିରେ ।

ତୋ ଆଗମନେ ବସନ୍ତ ଦିଶେ କେମନ୍ତ ଶ୍ରୀମନ୍ତ,

ହସିଣ ଉଠଇ ଧନୀ କିଶଳୟ କୁସୁମରେ ।

ପାଆନ୍ତେ ପରାଣପତି ହେଲାଣି କୁସୁମବତୀ,

ତା ତନୁ ସୁରଭି ଅତି ରସାଳ ବକୁଳଭରେ ।

ପିକ−ରାବ ଛଳେ ଧନୀ କଲା ହୁଳହୁଳି ଧ୍ୱନି,

ଘେନିଣ ପୂଣ୍ଣେନ୍ଦୁ ଥାଣୀ ବନ୍ଦିଲା ପତି−ପଦରେ ।

 

କୁସୁମିତ ଉପବନେ ପୂଜିଲ୍ଲା ପତି−ଚରଣେ

ମଳୟ−ପଣନ୍ତ−କାନି ବିଞ୍ଚିଲା କାନ୍ତ−ଅଙ୍ଗରେ

ଅଳି−ଗୁଞ୍ଜନ−ଛଳନା ବାଳୀ−ପ୍ରେମ−ଜଳପନା

ମାନବତୀ−ମାନଘେନା ସୁଦୀର୍ଘ ବିଚ୍ଛେଦ ପରେ ।

 

_______

 

ଉଷା ଓ ସୂର୍ଯ୍ୟ

—୧—

ବିପିନେ ଗାବନ୍ତି ବନବିହଙ୍ଗେ,

ବହେ ତା ପ୍ରଭାତ ପବନ ସଙ୍ଗେ,

ନୀଳକାନ୍ତ ନଭେ କେମନ୍ତ ରଙ୍ଗେ

ଉଭା ଉଷା−ଯୋଷା ବିଜନେ ।

—୨—

ଶୁଭ୍ର ସୁଶୋବନ ଶାଟୀ ଶ୍ରୀଅଙ୍ଗେ

ପିନ୍ଧ ଦେବ−ଯୋଷା ଉଭା ତ୍ରିଭଙ୍ଗେ,

ଶୁକ୍ରମଣି ଶୋଭେ ତା ଉତ୍ତମାଙ୍ଗେ,

ହରଷ−ସୁଷମା ଆନନେ ।

 

—୩—

ବହୁଛି ପବନ ଖେଳି ତରଙ୍ଗେ'

ହସି ହସି ଫୁଲ ହଲଇ ରଙ୍ଗେ,

ହସୁଛି କି ଯୋଷା ଚାହିଁ ଅପାଙ୍ଗେ,

ନାଚି ଯାଉଛି କି ଭୁବନେ ।

 

 

—୪—

ଭାନୁ ଦେଖି ତାର ମୋହନ ଢଙ୍ଗେ

ଗୋଡ଼ାଇ ଆସନ୍ତି ତା ସଙ୍ଗେ ସଙ୍ଗେ,

ପଳାଇ ଗଲା କି ବାମା ଆତଙ୍କେ

ଡରିଣ ପ୍ରଚଣ୍ଡ କିରଣେ ?

 

 

 

ଗଲା କଥା

ଥିଲା ଯାହା ମଧୁର ସ୍ୱପନ

ହେଲା ଏବେ ଦୃଢ଼ ଜାଗରଣ !

ଯାଇଛି; ତଥାପି ଗଲାକଥା−

ସ୍ମୃତି କିପାଁ ପ୍ରାଣେ ଦିଏ ବ୍ୟଥା !

ମୋହ ଯେବେ ଅଛଇ ସ୍ୱପନେ,

ଆନନ୍ଦ କି ନାହିଁ ଜାଗରଣେ ?

 

ସ୍ମୃତି ଓ ପ୍ରଣୟ

 

ମଉନନ୍ତେ ମଧୁସ୍ୱନ, ସଙ୍ଗୀତ

ସ୍ମୃତି−ସୌଧେ ହୁଏ ପ୍ରତିଧ୍ୱନିତ ।

ମଉଳନ୍ତେ ଫୁଲ, ସୁରଭି ବାସ

ମହକାଇ ପ୍ରାଣେ କରଇ ବାସ ।

ଝାଉଁଳି ପଡ଼ିଲେ ଫୁଲ ଗୋଲାପ

ପଲ୍ଲବ ପ୍ରିୟାଙ୍କ ହୁଏ ତଳପ ।

ସେହି ସରି ତୋର ବିହହେ ସହି ।

ସ୍ମୃତି ଶେଯେ ଥିବ ପ୍ରଣୟ ଶୋଇ ।

 

———

 

ସ୍ମୃତି ଓ ଆଶା

 

 

—୧—

ସ୍ମୃତି ମୋର କହେ କାନେ କାନେ

ସେ ତ ଦୂର ଅତୀତର କଥା;

ଆସା ମୋର ବହି ଆଣେ ପ୍ରାଣେ

ପ୍ରୀତି−ସ୍ନିଗ୍‌ଧ ଅମୃତ ବାରତା ।

 

—୨—

ଆସିଥିଲା କେଉଁ ପୁଣ୍ୟବଳେ,

କରିଥିଲା ଏ ପ୍ରାଣ ମଧୁର;

ଚାଲିଗଲା ଖଣ୍ଡ ତପ ଫଳେ,

କରିଗଲା ବିରହ−ବିଧୁର ।

—୩—

ବିହଙ୍ଗମ ତେଜିଣ ପିଞ୍ଜର

ନନ୍ଦନ−କାନନ−କଳ୍ପ−ବଟେ

ତେଜ ମୋହ−ବନ୍ଦନ ଭବର

ଉଡ଼ିଗଲା ମନ୍ଦାକିନୀ−ତଟେ ।

—୪—

ବନପ୍ରିୟ ଯୌବନ−ବସନ୍ତେ

ରାବିଗଲା ପ୍ରାଣ−କୁଞ୍ଜବନେ,

ପୂର୍ଣ୍ଣ−ଇନ୍ଦୁ ହସିଲା ଶରତେ

ମେଘମୁକ୍ତ ସୁନୀଳ ଗଗନେ ।

—୫—

ପୁଟିଥିଲା ପୀରତି−ପ୍ରସୂନ

ଜୀବନର ନନ୍ଦନ−କାନନେ,

ଶୁଭଥିଲା ସଙ୍ଗୀତ−ସୁତାନ

କଳ୍ପନାର ବିମୁଗଧ−ଶ୍ରବଣେ ।

—୬—

ଜଗତରେ କିଛି ନୁହେ ସ୍ଥିର,

ଅଢ଼ାଇ ଦିନର ଭବଖେଳା;

ଜୀବନ ଯୌବନ କାହିଁ ଚିର?

ତା କେବଳ ମାୟାମୋହମେଳା !

—୭—

ବସନ୍ତର ଦକ୍ଷିଣ ମଳୟ

ଚାହୁଁ ଚାହୁଁ ଗଲା ତ ଉଭାଇ

ଇନ୍ଦୁ−କଳା ଭଜନ୍ତେ ବିଲୟ

ସୁଧା ଆଉ ବରଷଇ ନାହିଁ !

 

—୮—

କୁସୁମ−ଲତିକା ହସୁ ନାହିଁ,

ଶୁଭୁ ନାହିଁ ସଙ୍ଗୀତ ସୁସ୍ୱର,

ସୁଷମା ସଂସାର ଗଲା କାହିଁ,

କାହିଁ ଗଲା ମୋହ ଯୌବନର ।

 

—୯—

ତଥାପି ସେ ଯାଇ ଯାଇ ନାହିଁ,

ପରାଣେ ସେ ବୋଳିଛି ଆବେଶ,

ଜୀବନର ସାର ଗଲା କାହିଁ ?

କାହିଁ ଗଲେ ପାଇବି ସନ୍ଦେଶ ?

 

—୧୦—

ସ୍ମୃତି ମୋର କହେ କାନେ କାନେ–

ସେ ଯେ ଦୂର ଅତୀତ କାହାଣୀ,

ପ୍ରୀତି ମୋର ବହି ଆଣେ ପ୍ରାଣେ

ଆଶା−ଗୀତ−ମୃତ୍ୟୁହୀନ−ବାଣୀ ।

———

 

ବର୍ଷା ଓ ଶରତ

 

ପ୍ରଥମ ଆଷାଢ଼େ ଦୁର୍ଦାମ ଆବେଗେ

ବହିଯାଏ ନିର୍ଝରିଣୀ,

ଶିଳାବନ୍ଧ ଡେଇଁ ଫେଣ ଚବକାଇ

ତରଜଇ ତରଙ୍ଗିଣୀ,

ଉତ୍ପାଟିଣ ଯେତେ ତୀର−ତରୁ−ବ୍ରଜ

ଧାଏଁ ଖର ସ୍ରୋତସ୍ୱତୀ,

ଉଦ୍ଦାମ ଆବେଗେ ପ୍ରବଳ ପ୍ରବେଗେ

ଭେଟିବାକୁ ସରିତ୍‌ପତି ।

ଆପଣା ମଙ୍ଗଳ ଲୋଡ଼ି ମତ୍ତ ମନ୍ଦ୍ରେ

ଯାଉଥାଏ ପଥେ ଧାଇଁ,

କିନ୍ତ ଶାରଦୀୟା ବିମଳା ତଟିନୀ

ବହେ ତୃଷ୍ଣାତୁରପାଇଁ ।

ସେହିପରି ସହି ! ଉଦ୍ଦାମ ଯୌବନ

ନିଜ ସୁଖେ ସିନା ବିତେ,

ପରିଣତ ବୟେ ଢାଳିଦେବା ପ୍ରିୟେ

ଜୀବନ ପରର ହିତେ ।

 

 

ବସନ୍ତ ଓ ନିଦାଘ

 

ସଂସାର ଗହନ ନିଦାଘ ପବନ

ଆସିଲାଣି ଖରେ ବହି,

ଅତି ସୁକୁମାରୀ ପୀରତି−ବଲ୍ଲରୀ

ଶୁଖି ଯିବ ପରା ସହି !

ଫୁଟିଥିଲା ଫୁଲ ଜୀବନ ବସନ୍ତେ

ଲଳିତ ଲତାକାଡାଳେ,

ବହୁଥିଲା ମୃଦୁ ମଳୟ ସମୀର

ପିକ ରାବୁଥିବା କାଳେ ।

 

ଗତିକଥା ଭାଳି ସ୍ମୃତି−ସୁଧା ଢାଳି

ପୀରତି−ବଲ୍ଲରୀ−ମୂଳେ

ମେଣ୍ଟାଅ ତୁରୁଷା ବସି ଦଣ୍ଡେ ବନ୍ଧୁ

ସ୍ମୃତି−ନିର୍ଝରିଣୀ−କୂଳେ ।

 

ପୁଷ୍ପ ଓ ଫଳ

 

ଯୌବନ ପ୍ରଭାତର ମଧୁମୋହ ଆବେଶ

ଗଲାଣି, ନ ଆସିବ ଆଉ,

ନବୀନ ବସନ୍ତର ନବ ଫୁଟନ୍ତ ଫୁଲ

ଝଡ଼ି ଗଲାଣି; ଝଡ଼ି ଯାଉ ।

ଦୁଃଖ ସୁଖରେ ପ୍ରିୟେ ବେନିଙ୍କର ଜୀବନ

ସଂସାରେ ହୋଇଛି ସଫଳ,

ଉତ୍ତାପ ମଳୟରେ ବିକଚ କୁସୁମରେ

ଧରିଛି କି ସୁନ୍ଦର ଫଳ ।

 

———

 

କାୟା ଓ ଛାୟା

 

(ଅତି) ଦୂରେ ଧାଇ ସଖା ! ମୋହ−ମରୀଚିକା

ଦେଖିବ ହେଉଛି ମନ ?

(ନା) ମଧୁର ଶୀତଳ ତୃପ୍ତିପ୍ରଦ ଜଳ

ପାନେ ତୋଷିବ ଜୀବନ ?

(ମୋର) ସୁନ୍ଦର ମୋହନ ତୋରା ଅପଘନ

ମୁଗ୍‌ଧ ନେତ୍ର ଥିବ ଚାହିଁ ?

(ଏହି) ପ୍ରେମ ଢଳ ଢଳ ଅସ୍ପର୍ଶ ଅତଳ

ପ୍ରାଣ ପରଶିବ ନାହିଁ ?

 

(ମୋର) ସୁନ୍ଦର ମୋହନ ନବ ଯଉବନ

ଅଳପ ଦିନର ଧନ,

(ତାହା) ଗଲେ ଚାଲି କାଳେ, ନ ଚାହିଁବ ଢାଳେ,

ଆଶଙ୍କିତ ମମ ମନ ।

(ଯେହ୍ନେ) ବିକଚ କୁସୁମେ ମକରନ୍ଦ ପ୍ରେମେ

ରୋଳମ୍ୱ କରେ ଗୁଞ୍ଜନ,

(ସଖା) ମଉଳି ସୁମନ ହୁଅନ୍ତେ ମଳିନ

ଢଳେ କି ମିଳିନ୍ଦ ମନ ?

(ତେହ୍ନେ) ଦୁଇଦିନେ ଆହା ତୁଟିଯିବ ମାୟା

ଉଭେଇଣ ଯିବ ଛାୟା,

(ମୋତେ) ବାଧୁଥିବ ସିନା ବିରହ ବେଦନା,

କିଏ ହେବ ମୋର ସାହା ?

(ଏହା) ମୋହ ମରୀଚିକା ତୁଟିଯିବ ସଖା—

ରହେ କେତେ କାଳ ମାୟା

(ତେଣୁ) ପରାଣେ ଆଶଙ୍କା କାଳେ ପ୍ରାଣସଖା,

ଛାୟା ସଙ୍ଗେ ଯିବ କାୟା ।

 

(ଡାକେଁ) ଆସ ହେ ପ୍ରାଣେଶ ! ପରାଣେ ପ୍ରବେଶ

ପାନ କର ପ୍ରେମନୀର,

(ଆଉ) ଅକ୍ଷୟ ରତନ ପ୍ରେମ ଚିରନ୍ତନ

ଘେନ ପ୍ରେମ ପୟୋଧିର ।

(ମୁଁ ଯେ) ତବ ଅନୁରକ୍ତ ବିନ୍ଦୁ ବିନ୍ଦୁ ରକ୍ତ

ତବ ପ୍ରେମେ ପୟୋଧିର ।

(ମୋର) ସର୍ବସ୍ୱ ତୁମ୍ଭର ହେ ଜୀବିତେଶ୍ୱର !

ଭୁଞ୍ଜ ତାହା ହେ ସୁନ୍ଦର !

(ଏବେ) ମୋତେ ତେଜି ମମ ରୂପେ ପ୍ରିୟତମ !

ନ ବଳାଅ କେଭେଁ ମନ,

(ପୁଣି) ତେଜି ମୋର କାୟା ନ ଲୋଡ଼ ତା ଛାୟା

ମୋହ ରାଣ ପ୍ରାଣଧନ ।

 

ଅନାବିଳ ସ୍ନେହ

 

ପ୍ରଥମ ପ୍ରଣୟେ କହିଥିଲ ବିଷାଦିନୀ,

“ମୁହିଁ ତବ ସ୍ୱାର୍ଥହୀନ ସ୍ନେହଭିଖାରିଣୀ,

ପିତା ମାତା ଭ୍ରାତାଙ୍କର ଅତୁଳ ଶରଧା−

ଧାରାରେ ଧଉତ ମମ ପ୍ରାଣ ମନ ସଦା ।

ତଥାପି ମୁଁ ସୁପବିତ୍ର ସ୍ନେହର ରଙ୍କୁଣୀ ।”

ଲଭେ ଯେହୁ ଲୋଡ଼େ ସେହୁ ସଂସାରେ ୟା ଶୁଣି

ଥିଲାଘର ପିଲା ଲୋଡ଼େ ସନ୍ଦେଶ ମିଠାଇ,

ନ ଲୋଡ଼େ ଯେ ଥରେ ତାର ସ୍ୱାଦ ପାଇ ନାହିଁ ।

ସ୍ନେହ ସେହିପରି ପାଇଥାଏ ଯେଉଁ ଜନ,

ସେ ସ୍ନେହ ପାଇବା ପାଇଁ ସେ ହୁଏ ଉନ୍ମନ ।

ରଖିଛିଁ ସେ କଥା ମନେ ଗୋ ପ୍ରିୟ ସଙ୍ଗିନୀ,

ମୋ ଗଭୀର ସ୍ନେହ ଅଛି ସଂସାରକୁ ଜିଣି ।

ସେ ପବିତ୍ର ସେନେହ ସଖି, ବଢ଼ୁ ଗୋ ମୋହର,

ପ୍ରୀତିପୂତ ମନେ ଏହି ଆଶୀର୍ବାଦ କର ।

 

 

ସଂଶୟେ

 

ମଣିଲ କି ସତି ! ମନ ପ୍ରଥମ ପ୍ରଣୟ

ପାପରେ ପଙ୍କିଳ ସ୍ୱାର୍ଥ ହଳାହଳମୟ ?

ନାହିଁ ନାହିଁ, ନୁହଇଁ ମୁ ଏତେ ନୀଚମନା,

ତୁମ୍ଭଠାରେ ଆରୋପିବି ଏମନ୍ତ କଳ୍ପନା ।

ତୁମ୍ଭେ ଦେବୀ ସ୍ନେହ−ପ୍ରେମ−ପବିତ୍ରତାବତୀ

ସଂସାର−ଉର୍ଦ୍ଧ୍ୱରେ ସଦା ତୁମ୍ଭ ମତିଗତି ।

ନିଭିଗଲା ତେବେ କିମ୍ପା ସେହି ସ୍ନେହ−ଶିଖା ?

ଡେଇଁ ନ ପାରିଲା ସ୍ନେହ ଦାରିଦ୍ର୍ୟ−ପରୀକ୍ଷା ?

କିମ୍ପା ମଣି ମୁଁ ଅଯୋଗ୍ୟ କଲ ଅବହେଳା,

ମାତ୍ର ଦେବି ! ନୁହେ ପ୍ରୀତି ବାଳ−ଧୂଳି−ଖେଳା ।

 

ପିଆଇଲ କିମ୍ପା ବାରେ ତବ ସ୍ନେହ−ବାରି,

ସେ ସ୍ନେହ−ବିଚ୍ଛେଦ ମୋତେ ବାଧୁଅଛି ଭାରି ।

କଲେ କଲ ପର କିନ୍ତୁ ଏ ସାରା ଜୀବନ

ଦିଅ ଅଧିକାର ଦେବି ! କରିବି ସ୍ମରଣ ।

 

———

 

Unknown

ଦଗ୍‌ଧ ପଦ୍ମବନ

 

—୧—

 

ପ୍ରାଚୀ−ଅଙ୍କେ ଉଷାଦେବୀ ଟହଟହ ହସି

ଅପୂର୍ବ ଲାବଣ୍ୟ−ରାଶି ବିଞ୍ଚୁଛନ୍ତି ବସି ।

ଏମନ୍ତ କାଳେ ମୁଁ ଦିନେ ସରସୀର ତୀର

ଆସିଣ ଦେଖିଲି ଆହା କେମନ୍ତ ରୁଚିର,

ନୀଳ ଜଳେ ନୀଳ−ରକ୍ତ−ଶଚଳ କମଳ

ଫୁଟି ଏକମେଳ ହେଉଥିଲେ ଢଳ ଢଳ ।

ତଟେ ଅରବିନ୍ଦ−ଗନ୍ଧେ ସୁରଭି ଅନିଳ

ଆମୋଦିତ କରୁଥିଲା ଶ୍ୟାମଶସ୍ୟ ବିଲ ।

ତଟ−ବଟମୂଳେ ବସି ମରାଳ ଦମ୍ପତି

ମୃଣାଳ ସେବାରେ ମୁଦ ଲଭୁଥିଲେ ଅତି ।

 

ନିସର୍ଗ−ଲାବଣ୍ୟ−ଲୁବ୍‌ଧ କବି ଭକ୍ତଗଣ

ପୂତ କଲେ ନେତ୍ର କରି ଏଥି ଆଗମନ

ଭୂତଳେ ଅତୁଳ ପୂର୍ଣ୍ଣ ପ୍ରଫୁଲ୍ଲ ପୁଷ୍କର−

ସହ ମିଳିଥିଲେ ପୁରମହିଳାନିକର ।

ମଲୟ−ବିକ୍ଷୁବ୍‌ଧ ପଦ୍ମବନ ବିକମ୍ପିତ

ପ୍ରାତଃସ୍ନାନେ ପୁରାଙ୍ଗନା ଅଙ୍ଗ ଆନ୍ଦୋଳିତ ।

ଢଳ ଢଳ ସୁତରଳ ପୁଷ୍କରିଣୀ ଜଳ,

ତହିଁ ମଧ୍ୟେ ଢଳ ଢଳ ଅଗଣ୍ୟ ମରାଳ,

ଢଳ ଢଳ ତରୁଣୀଙ୍କ ଆନନ−କମଳ,

ତହିଁ ମଧ୍ୟେ ଢଳ ଢଳ ନୟନ ଯୁଗଳ ।

 

ତହିଁ ଢଳେ ଢଳ ଢଳ ପୀନ ପୟୋଧର,

କିଏସେ ସୁନ୍ଦର ଏଥି କେ ସୁନ୍ଦରତର,

ପରାଭବ ପାଏ ଏଥି କବି−କଳପନା,

ଲଜ୍ଜାଭରେ ଲୁଚି ଯାଏ ଉପମା ତୁଳନା ।

ପ୍ରିୟେ ଶିଷ୍ୟେ ଆଣି କବି ଗୌରବ−ସୁଦିନେ

କବିତ୍ୱ ଶିଖାଇଥିଲେ ସରଃ, ତୋ ପୁଳିନେ ।

 

—୨—

ବହୁଦିନ ପରେ ପୁଣି ବିଭାତ ଭ୍ରମଣେ

ଆସିଣ ଦେଖିଲି ଦଗ୍‌ଧ କମଳକାନନେ ।

ନୀହାରନିପାତେ ଆହା ନଷ୍ଟ ପଦ୍ମବନ

ଦେଖିଣ ବିଷଣ୍ଣ ହେଲା ମୋର ପ୍ରାଣ ମନ ।

 

ଦେଖିଥିଲି ପୂର୍ବେ ଯଥା ଷୋଡ଼ଶୀ ଯୁବତୀ

କାଞ୍ଚନ କମଳକଢ଼ି ଲାବଣ୍ୟ ମୂରତି,

ବୈଧବ୍ୟ−ବିଧୁରା ବାଳା କାରୁଣ୍ୟ ପ୍ରତିମା

ଯୌବନରକ୍ତିମା ନାହିଁ ରୂପମଧୁରିମା,

ଶୋକ−ନୀହାର କି ଆହା ଦହି ସୁଖବନେ

କରିଅଛି ପରିଣତ ଶୋଭାର ଶ୍ମଶାନେ ।

ଏ ଶୋଭା−ଶ୍ମଶାନେ−ଦୃଶ୍ୟେ ସଂସାର ନଶ୍ୱର

ବଜ୍ରଶକ୍ତି ସହ ପ୍ରାଣେ ଉଦିଲା ମୋହର

ପାଞ୍ଚିଲି ପୁଣି ତ ପର ବର୍ଷ ଏହିପରି

ଜଳପୁଷ୍ପେ ପୂର୍ଣ୍ଣ ହେବ ଏ ପଦ୍ମ ପୋଖରୀ ।

ନିରାଶ ପ୍ରଣୟା ଆଉ ପାଇବ କି ତାହା,

ହୃଦୟ ଭାଙ୍ଗିଣ ବାରେ ଯାଇଅଛି ଯାହା ।

 

କେତକୀ ଝର

—୧—

ନିକାଞ୍ଚନ−ନିବାସୀ କେତକୀ ଝର !

ପିଆସୀ ହୋଇ ଗଲି ତବ ପାଶର ।

ନୀଳ ନିର୍ମଳ ତନୁ କରି ପ୍ରଦାନ

ମୋହିଲୁ ପ୍ରିୟ ଜନ ପରି ମୋ ମନ ।

ପରର ଉପକାର ମହତ ଗୁଣ,

କେସନେ ସୁଝିବି ତୋ ଅମୂଲ୍ୟ ଋଣ ।

ଦରିଦ୍ର କବି ମୁହିଁ ତୋ ନାମେ ଗୀତ

ଗାଇଣ ସୁମରିବି ନାମ ହେ ମିତ !

ଘନ ନିକୁଞ୍ଜବନେ କେତକୀ−କୁଞ୍ଜ,

ଶୁଭୁଥିଲା ନିରତେ ମିଳିନ୍ଦ−ଗୁଞ୍ଜ ।

ତୋ ଅଙ୍କେ ବିକଶିତ ସୁରଭି କଞ୍ଜ

ଯାଇଛି ଦିନ ତୋର ଆସିଛି ସଞ୍ଜ ।

 

ତୋ ତଟ−ଚୂତ−ତରୁ−ଶାଖେ ବକୁଳ—

ଆମୋଦେ ଦିଗଙ୍ଗନା ଥିଲେ ଆକୁଳ ।

କୋମଳ କିଶଳୟ ଲୋହିତ ରଙ୍ଗେ

ବୋଳିଥିଲା ଅବିର ଅବନୀ ଅଙ୍ଗେ ।

ନବବସନ୍ତ ଚାରୁ ମଳୟ−ବୀଚି

ଦେଉଥିଲା ଦେହରେ ଅମୃତ ସିଞ୍ଚି ।

ପଲ୍ଲବ−ଗହଳରୁ ଯୁବା କୋକିଳ

କୁହୁ ସୁତାନେ କଲା ପ୍ରାଣ ଆକୁଳ ।

କାହିଁ କେତନୀ−କୁଞ୍ଜ କେତକୀ−ଗୋରୀ

ପରାଣ ନିଧି ତୋର କେ କଲା ଚୋରି ?

 

କେତକୀ ଝର କଟକ−ଗଞ୍ଜାମ ପକ୍‌କା ରାସ୍ତା ଉପରେ ଖୋର୍ଦ୍ଧାର କିଛିଦୂରରେ ଦକ୍ଷିଣକୁ ଅବସ୍ଥିତ ।

 

—୨—

ଦେଖିଲି ଏବେ ଦିନେ ପ୍ରଦୋଷ ବେଳେ

ନିର୍ଜନତା ସଙ୍ଗତେ ବିଷାଦ ଖେଳେ !

ପ୍ରତୀଚୀ−ଅଙ୍କେ ଯେବେ ଲୁଚିଲେ ରବି

ବିଷାଦ−ଛାୟା ଢଙ୍କା ନିସ୍ୱର୍ଗ−ଛବି ।

ବସା ଗଛ ଆଡ଼କୁ ବିହଙ୍ଗଗଣ

ବିଷାଦଗୀତ ଗାଇ କଲେ

ଗୋଧୂଳିକାଳେ ଘନ ଧୂଳି ଉଠାଇ

ହମ୍ୱାରଡ଼ି ଛାଡ଼ିଣ ଯାଆନ୍ତି ଗାଈ ।

ବାରୁଣୀ ଗଗନରେ ଚିତ୍ର ବିଚିତ୍ର

ଦିଶଇ ଟହ ଟହ ଜଳଦ ଚିତ୍ର ।

ନୀଲ ଶ୍ୟାମଳ ରଙ୍ଗ ପାଟଳ ରଙ୍ଗ

ପୀତ ବାଇଗଣିଆ ଦିଶେ କି ରଙ୍ଗ !

ଏମନ୍ତ ଚିତ୍ର ଦେଖି ହେଲା ମୋ ମନେ,

କାହିଁକି ମାୟାମୁଗ୍‌ଧ ହୁଅନ୍ତି ଜନେ ?

 

—୩—

କୂଳେ କରୁଣେ ରାବେ କପୋତ−ନାରୀ

କବି ମନକୁ ପବି ପରି ବିଦାରି,

“ଉଠରେ ପୂତା” ତାର କରୁଣ ସ୍ୱନ

ଶୁଣନ୍ତେ ପଥିକର ବିକଳ ମନ ।

ଗୋଧୂଳିକାଳେ ପକ୍ଷୀ ମୋଲାଣି ଗୀତ

ଗାଇଣ ବିଷାଦିତ କରଇ ଚିତ୍ତ ।

ତୋ ନୀର ତୀରଶାଖି−ଶୀତଳ−ଛାଇ−

ତଳେ ରହନ୍ତି ପାନ୍ଥେ, ଚୁଲି ଲଗାଇ

ଶଗଡ଼ିଆ ଭାଇ ତା ଗାଡ଼ି ଫିଟାଇ

ପିତଳରନ୍ଧା ଅନ୍ନ ବ୍ୟଞ୍ଜନ ଖାଇ

ତାମ୍ୱୁଳ ଗୁବାକ ସେ ଭାଙ୍ଗିଲା ବେଳେ

ଗୃହେ ତରୁଣୀ−କଥା ବିଷାଦେ ଭାଳେ ।

 

ଚମ୍ପକ−ଗୋରୀ−ପ୍ରାଣେ ତେଣେ ଭାଳେଣି,

ଦେଖନ୍ତି ସ୍ୱପନ ସେ ବେନିଙ୍କୁ ବେନି ।

ନିର୍ମଳ ପ୍ରେମେ ସିନା ଆତ୍ମା ମିଳନ,

ବେନିଙ୍କୁ ବେନି କରୁଥାନ୍ତି ଦର୍ଶନ ।

ପୁଳିନ ଏହିପରି କେତେ ତରୁଣ—

ତରୁଣୀ−ସ୍ୱପନରେ ତୋର କରୁଣ !

ଯେତେ ଅଚିର ପଛେ ହେଉ ପ୍ରଣୟ,

ସଂସାର କରେ ତାହା ମାଧୁରୀମୟ !

 

ବଡ଼ବୋଉ ଝର

 

କେଉଁ ଅତୀତ ଯୁଗେ ଝର ! ତୋ କୂଳେ,

ଝଙ୍କାଳିଆ ଗଛର ଶୀତଳ ତଳେ

ବସିଣ ବଡ଼ବହୂ ତେଲ ହଳଦୀ

ବଢ଼ାଇ ସ୍ନାନ ବିଧି ପିନ୍ଧିଲେ ଖଦି ।

ନାହିଁ ସେ ଯୁଗ ଆଉ ସେ ସାଖୀ ନାହିଁ,

ସେ ବଡ଼ବହୂ−ରୂପ−ଲାବଣ୍ୟ କାହିଁ !

 

ମାତ୍ରକ “ବଡ଼ବୋଉ ଝର” ଅଛଇ,

ତା ନାମ ସଙ୍ଗେ ତାର ଛାୟା ଦିଶଇ ।

କିବା ଲାବଣ୍ୟମୟୀ ସେ ନବବଧୂ

ଅମରଲଡ଼ୁ ଦେଇ ଯାଇଛି ମଧୁ !

ସେ ଝର ସଙ୍ଗେ ତାର ଅମର ଛାୟା

ଲାଗି ରହିଣ ବିସ୍ତାରିଛି କି ମାୟା !

ଅସରନ୍ତା ସେ ଝର−ନୀର ଯେସନ !

ଅସରନ୍ତା ସେ ନାମସୁଧା ତେସନ !

କେସନ ଝର ସଙ୍ଗେ ତୋ ନାମ ବଧୂ

ମିଳିଣ ବୋଳିଦେଲା ତୋ ନାମେ ମଧୂ ?

 

ବଡ଼ବୋହୂ ଝର ଖୋର୍ଦ୍ଧା ମଧ୍ୟରେ । କେତକୀଝର, ଚିଙ୍ଗଡ଼ିଝର, ଗାହାଡ଼ା ଝର ପ୍ରଭୃତି ଖୋର୍ଦ୍ଧା ନିକଟରେ ଅବସ୍ଥିତ।

 

ଶୈଶବ ସୁଖ ପିତୃ−ଗୃହେ ଭାଳିଣ

ଅବା ଏ ଝର ଅଙ୍ଗେ ହୋଇଲ ଲୀନ ?

ନବ ଯୌବନେ ଅବା ଧୋଇଣ ପଦ

ଚିର ଯୌବନ ସମ ଦେଲ ଏ ପଦ ?

ଅବା ନିରାଟ ଶିଳା ତଳେ ସେ ଥିଲା

ତବ ଚରଣ ଲାଗି ସ୍ରବି ଉଠିଲା ?

ଶ୍ୟାମା−ପଦ−ପ୍ରକ୍ଷେପେ ଅଶୋକ ଯେହେନ

ଫୁଟଇ, ନିର୍ଝର କି ଫୁଟିଲା ତେହ୍ନେ ?

ଅବା ଫୁଲ ତୋଳିଣ ଗଢ଼ି ପ୍ରତିମା

ବିସର୍ଜି ଥିଲ ଏଥି ରୂପସୀ ଜେମା ?

ଅଥବା କଲ ଏଥି ବାଲିର ଘର,

ନାମ ସଙ୍ଗତେ ରଖି ନେଲା ନିର୍ଝର ?

କି ଅବା ଅନାବୃଷ୍ଟି ହେଲା ଦେଶରେ,

ଝର ସ୍ରବିଲା ତବ ପଦ ସ୍ପର୍ଶରେ ?

ଅବା ମିଳିନ୍ଦନିନ୍ଦି ନିବିଡ଼ କେଶେ

ପ୍ରବେଶି ଝର ହର−ଜଟା ସଙ୍କାଶେ;

 

ପାଇଅଛି ଅମର ନାମ ମଧୁର,

ସୁତଟ−ଦୁର୍ବାଦଳ ଅବା ଚିକୁର !

ତବ ଅଙ୍ଗସୁଲଭ ଶୀତେ ତପତ

ନିଦାଘେ ଶୀତଳତା ଝରେ ପ୍ରାପତ !

ତବ ଆଭାସେ ଯେବେ ଏତେ ସୁଷମା,

ଥିଲ କି ଶୋଭାବତୀ ମର୍ତ୍ତ୍ୟରେ ରମା ?

ଲାବଣ୍ୟମୟୀ ବାମା ଗୋ ବଡ଼ବହୁ

ଝର ସଙ୍ଗୀତେ ତବ ସୁଷମା ରହୁ ।

 

ଷୋଡ଼ଶୀ ତରୁଣୀମାନଙ୍କ ପଦପ୍ରହାରରେ ଅଶୋକ ପ୍ରସ୍ପୁଟିତ ହେବାର ପ୍ରାଚୀନ କିମ୍ୱଦନ୍ତୀ ଅଛି ।

 

† ଶାମା ସ୍ତ୍ରୀ ଓ କୂପୋଦକ ପ୍ରଭୃତିର ଶୀତକାଳରେ ଉଷ୍ଣତା ଓ ଗ୍ରୀଷ୍ମକାଳରେ ଶୀତଳତା ସମସ୍ତଙ୍କ ଜ୍ଞାତ ।

 

 

କବିର ଦୁଇ ପତ୍ନୀ

 

ଦୁର୍ଭାଗ୍ୟ କି ସୌଭାଗ୍ୟ ମୁଁ ଜାଣେ ନାହିଁ

କବି ମୁଁ ହିଁ ମମ ପତ୍ନୀ ବେନି,

ଇଚ୍ଛା ମମ କରିବଇଁ ଘର ଦ୍ୱାର

ସୁଖେ ମୋର ସେ ବେନିଙ୍କୁ ଘେନି ।

ଚିରନ୍ତନ ରୀତିମତେ ପତ୍ନୀବେନି

ସେ ସପତ୍ନୀ ଏକ ଆରେକର

ଚିର ଅରି, କିନ୍ତୁ ମୁହିଁ ବେନିଜନ−

ଶ୍ରୀଚରଣ−ସେବକ କୋୟର ।

ବେନି ପାଶେ ବେନି ପ୍ରିୟା ସଦା ଆହା

ମହାଚିନ୍ତା ଚଳିବି କିପରି ?

ଏକ ସୁଗୃହିଣୀ ସଦା ଉପାର୍ଜନ−

ଆକାଙ୍‌କ୍ଷିଣି ଆନ ଅର୍ଥ−ଅରି ।

ଏକ ପୃଥ୍ୱୀ−ପ୍ରବାସୀନୀ ଦେବକନ୍ୟା

ଆନ ଧରା−ମାନବ ନନ୍ଦିନୀ,

ଏକ ପରିଣୀତା ଭାର୍ଯ୍ୟା, ଆନ ମମ

ସ୍ୱୟମ୍ୱୃତା କବିତା କାମିନୀ ।

———

 

କବିତା ପ୍ରତି

—୧—

ଯାଅ ରେ କବିତା ମମ ପ୍ରିୟତମା ଘରେ,

ଧରନ୍ତୁ ଚମ୍ପକାଙ୍ଗୁଳିଯୁତ ଚାରୁ କରେ ।

ପଙ୍କଜପଳାଶ ନେତ୍ର ପଡ଼ୁ ତୋ ଉପର,

ଚନ୍ଦନ ସୁରଭି ଶ୍ୱାସେ ହୁଅ ପବିତର ।

ଘନକୃଷ୍ଣ ବେଣୀ ତାଙ୍କ ପଡ଼ୁଥିବ ଲୋଟି,

ତା ପାଶେ ବିରାଜି ପାଅ ଗଉରବ କୋଟି ।

 

ପଢ଼ି ନେତ୍ରପ୍ରାନ୍ତ ହେଲେ ଈଷତ ଚଞ୍ଚଳ,

କବିତା−ଜନମ ତବ ହେବ ରେ ସଫଳ ।

ପଢ଼ନ୍ତୁ ବା ନ ପଢ଼ନ୍ତୁ ତୋତେ କେହି ଆନ,

ପଢ଼ିଣ କରନ୍ତୁ ମୋତେ ପ୍ରିୟା ଯୋଗ୍ୟ ଜ୍ଞାନ ।

ସେ କରଳମଳେ ଯେବେ ପାଇ ପାରୁ ଠାଇଁ,

ଧନ, ପଦ, ଯଶ ମମ ପ୍ରୟୋଜନ ନାହିଁ ।

ନାହିଁ ନାହିଁ ଠାଇଁ ତୋର ପଣ୍ଡିତ−ଆଳୟେ,

ହେବୁ ଧନ୍ୟ ପାଇ ସ୍ଥାନ ପ୍ରେୟସୀହୃଦୟେ ।

 

———

 

କବିତା ପ୍ରତି କବି

 

—୧—

 

କମଳା−ସଉଧ ବରଜି ଆସି ବାଣୀ−ଭବନେ,

ଦରିଦ୍ରତ−ସଖୀ କବିତା ବରି ନେଲି ଜୀବନେ ।

ପିତା ମାତା ବନ୍ଧୁ କୁଟୁମ୍ୱ ଯେତେ ଆତ୍ମୀୟ ଜନ

ଆଶାୟୀ ହୋଇଣ ଅଛନ୍ତି ଅରଜିବି ମୁଁ ଧନ ।

ହେବି ଦଶ ଜଣ ସଙ୍ଗତେ ଲୋକ ମୁଖିଆ ଜଣେ,

ଅନ୍ନବସ୍ତ୍ରେ ତାଙ୍କୁ ତୋଷିବି ମାନେ ଗୌରବେ ଧନେ ।

ଆହା କି ଦୁର୍ଭାଗ୍ୟ ହେଲା ଏ ଭାଲେ ୟା ଲେଖାଥିଲା,

କୁଳିଶ−ପ୍ରହାରେ ଜର୍ଜର ଆଶା−ଲତା ହୋଇଲା !

କାହିଁ ଗଲା ଉଚ୍ଚ ଆଶ୍ରୟ କାହିଁ ସମ୍ମାନ ଧନ,

କବିତା−ମୋହରେ ଆସକ୍ତ ହେଲା ମୋହର ମନ ।

ଛାଡ଼ ଛାଡ଼ ମୋତେ ସୁନ୍ଦରି ! ଦରବାରେ ମୁଁ ଯିବି,

ଉପର୍ଜନ କରି କଉଡ଼ି ଘରଦ୍ୱାର କରିବି ।

ନିଶି ଦିବା ଆଉ ପଣନ୍ତେ ବାନ୍ଧି ନ ରଖ ମୋତେ,

ଦେଖ ପରିଜନେ ମୋ ମୁଖେ ଚାହିଁଛନ୍ତି ସନ୍ତତେ ।

ଦିନ ପରେ ଦିନ ଯାଉଛି ମାସ ଉତ୍ତାରେ ମାସ,

ସଂକ୍ରାନ୍ତି, ସଂକ୍ରାନ୍ତି, ପୂର୍ଣ୍ଣିମା ପରେ ଆସେ ଉଆଁସ ।

ନ ଚାହିଁ ପଛକୁ ପଳାଏ ବର୍ଷ ପରେ ବରଷ,

ଦିନାକେତେ ଗଲେ ତୁଟିବ ମୋର ବଳ ବୟସ ।

ପାଣି ପ୍ରସାରିଣ ସ୍ୱଜନେ ଅତି ଉଦ୍‌ବିଗ୍ନ ମନେ

ନିରେଖି ଅଛନ୍ତି ମୋ ଆଡ଼େ ତୃଷ୍ଣାଯୁତ ନୟନେ ।

ରକ୍ତି ହସ୍ତେ ପ୍ରିୟେ କେସନେ ତାଙ୍କୁ ବାହୁଡ଼ାଇବି ?

ସୁଚିରଷୋଷିତ ଭରସା କେହ୍ନେ ବ୍ୟର୍ଥ କରିବି ?

ଛାଡ଼ ଛାଡ଼ ମୋତେ ପ୍ରେୟସି ! ଆଉ ନ ଧର ଗଳା,

ଏ ମୋ ଘର ଶୂନ୍ୟ କରିଣ ଚାଣ୍ଡେ ଅନ୍ୟନ୍ତ୍ର ପଳା ।

ନିଶ୍ଚିନ୍ତ ମନରେ ପଇସା ଟଙ୍କା ମୁଁ ଅରଜିବି,

ମନ ଖୁସି କରି ସ୍ୱଜନେ ଅନ୍ନ ବସ୍ତ୍ରେ ପୋଷିବି ।

ପ୍ରବୋଧି ମେଲାଣି ଘେନିବି ଏହା ଭାବିଲି ମନେ

ଏତେ ଦିନେ ରକ୍ଷା ପାଇଲି ବୋଲି ସାନନ୍ଦ ମନେ ।

ନିଶ୍ଚିନ୍ତ ନିଦ୍ରାରେ ଶୋଇବି ଆଜି ହେଲା ମୋ ମନ,

ନିଦ୍ରାରେ ଦେଖିଲି କବିତା−ସୁନ୍ଦରୀକୁ ସ୍ୱପନ ।

ହସି ହସି ଆସି ମୋ କଣ୍ଠେ କରି ସ୍ନେହାଲିଙ୍ଗନ

ମୋହନ ମୂରତି ଦେଖାଇ କହେ ପ୍ରିୟବଚନ,

“ପ୍ରଥମ ଯୌବନେ ସଖା ହେ ଗମାଇଲ ମୋ ସହ

କେମନ୍ତେ ସହିବ ଜୀବନେ ମୋର ଦୀର୍ଘ ବିରହ ?”

 

—୨—

 

ଆଚ୍ଛା ଲୋକ ପାଲେ ପଡ଼ିଲି, ଭଲା ନିଶା ଖାଇଲି,

ବିଅର୍ଥେ ଦୁର୍ଲଭ ଜୀବନ ଜଳେ ମୁଁ ଭସାଇଲି !

ବିଷମ ଫାଶରେ ପଡ଼ିଲି ଏଥୁଁ ମୁକ୍ତି−ଉପାୟ

ଦେଖୁ ନାହିଁ ଆଉ, ଭୋ ପ୍ରଭୋ ! ହୁଅ ମୋର ସହାୟ ।

ଚିତ ଦରିଦ୍ର ମୁଁ ରହିଲି ପଡ଼ି ଆସକ୍ତି−ପାଶେ,

କୁଟିଳ କଟାକ୍ଷେ ସଂସାର ମୋତେ ସଦା ଝିଙ୍ଗାସେ ।

ଦରହାସେ ଥୋକେ କୋଣେଇ ମୋତେ ଚାହଁନ୍ତି ପିଲା,

ତୁନି ତୁନି ଲୋକେ କହନ୍ତି “ଏ ତ ଅକର୍ମ ଶିଳା,

ଏହା ସଙ୍ଗ ଲୋକ କଉଡ଼ି ଅର୍ଜି ମନୁଷ୍ୟ ହେଲେ,

ନିର୍ଲଜ୍ଜ ପଣରେ ଏ ଗୀତ ବାନ୍ଧି ଗମାଏ ବେଳେ ।”

—୩—

 

ହେଉ ବା ନ ହେଉ ସଂସାର ମୋର ପରାଣ ଧନ,

ତବ ପ୍ରେମ−ଅଙ୍କେ ପ୍ରେୟସି ! ଯାଉ ଏ ମୋ ଜୀବନ ।

ପ୍ରାଣର ଗଭୀର ବେଦନା ନ ପାରଇଁ ମୁଁ ସହି,

ଆକୁଳ ଆବେଗେ ନିରତେ ମୁଁ ଯେ ହୁଅଇ ଦହି ।

କେତେ କେତେ ଜନ ଉଭେଇ ଯିବେ ଦୁଇ ଦିନରେ,

ମୋ ପ୍ରାଣ ସୌରଭ ମହକୁ ଥିବ ଏ ଭୁବନରେ ।

ଏହି ଅଶା ଧରି ଭାରତି ! ନ ଛାଡ଼ିବି ତୋ ପାଶ,

ନିଭାଇବ କୃପା−କଣିକା ଏ ମୋ ପ୍ରାଣ−ପିଆସ ?

ପ୍ରଥମ ଯୌବନେ ପ୍ରେୟସି , କଟାଇଲି ତୋ ସହ,

କେମନ୍ତେ ସହିବି ଜୀବନେ ତୋର ଘୋର ବିରହ ?

ହେଉ ଯା ହେବାର ପ୍ରେୟସି, ନ ଛାଡ଼ିବି ତୋ କର,

ଧର୍ମ ଅର୍ଥ କାମ ମୋକ୍ଷ ତୁ ଚତୁର୍ବର୍ଗ ମୋହର ।

ନ ବାଜୁ ପଛକେ ଚୌଦିଗେ ମୋର ବିଜୟ−ତୂରୀ,

କୀର୍ତ୍ତି−ବଜାରରେ ନ ବାଜୁ ପଛେ ଶଙ୍ଖ ମହୁରୀ ।

ଗୁଣି−ଗଣନାରେ ନ ପଡ଼ୁ ପଛେ କଠିନୀ ଚାଣ୍ଡେ,

ନିନ୍ଦା−ବଜାରରେ ପଡ଼ିଲେ ପଡ଼ୁ ସଂସାର−ଦାଣ୍ଡେ ।

ଉଦରଚିନ୍ତାରେ ଲଲାଟେ ସ୍ୱେଦ ବହିଲେ ବହୁ,

ଭଗାରୀ କପଟ ଗଞ୍ଜଣା ପ୍ରାଣ ଦହିଲେ ଦହୁ ।

ନିନ୍ଦୁକର କୂଟ ବିଦ୍ରୂପ ଢାଳୁ ଶୀତଳ ଜଳ,

ତଥାପି ଦିଅ ଗୋ କବିତା, ଚାରୁ ପଦ−କମଳ ।

ନୋହୁ ପଛେ ଯଶ କୀରତି ମାନ ସମ୍ଭ୍ରମ ଧନ,

ତବ ଅଙ୍କେ ଶିର ନିହିଣ ଯାଉ ଏ ମୋ ଜୀବନ ।

ତୋହରି ପାଇଁ ମୁ ସୁନ୍ଦରି ! ଜନ୍ମିଅଛି ମହୀରେ,

ତବ ପୂତ−ପୀଠେ ଜାକିଣ ବାନ୍ଧ ମୁକୁଟ ଶିରେ ।

କମଳା−ସଦନ ବରଜି ଆସିଅଛଁ ତୋ ଘରେ,

ପ୍ରାଣକୁ ମୋର ଗୋ ବାଧିଛି, ଡାକି ନିଅ ଭିତରେ ।

ବିଜୟମୁକୁଟ ମୋ ଶିରେ ବାନ୍ଧି ଦିଅ ଗୋ ଦେବି,

ଧନ୍ୟ ଦେଉ ମମ ଜୀବନ ତବ ଚରଣ ସେବି ।

ଏ ମମ ଜୀବନ−ଉଦ୍ଦେଶ୍ୟେ ଦେଇ ନିଃସ୍ୱାର୍ଥ ପ୍ରୀତି,

ପ୍ରଭୁଙ୍କ ଆଦେଶ ପାଳିବି ଗାଇ ପରାଣ−ଗୀତି ।

ସର୍ବେ ଏକାକାର କରିବି ଭୁଲାଇଣ ବିଭେଦ,

ନୋହିଲେ ବାସର ଯାମିନୀ ହୃଦ ଦହିବ ଖେଦ ।

ଅଗୁରୁ−ଧୂପର ପରାଏ ନିରନ୍ତର ମୁଁ ଜଳି

ବିତରିବି ବାସ ଜଗତ ଜନେ ସ୍ୱାର୍ଥକୁ ଦଳି,

ଅତିକ୍ରମି ମୁଁ ଏ ଉଦର ଲଭି ଶାଶ୍ୱତ ଧନ

ଲୌହ ପ୍ରାଣ ଦେଇ ପାଇବି ମୁହିଁ ହୈମ ଜୀବନ ।

 

ତନୁ ଓ ମନ

 

ତନୁ ଆଣି ଦିଏ ସିନା ମାନସ−ବାରତା,

ନେତ୍ର ବେନି ନ କହେ କି ପ୍ରୀତି−ଗୁପ୍ତକଥା ?

ପ୍ରିୟ−ପୂଜା−ଯୋଗ୍ୟ ନାରୀ ବକ୍ଷେ ବେନି ସ୍ତନ

ଲାଜେ ମରି ବସ୍ତ୍ରାଞ୍ଚଳେ ଲୁଚେ ଦେଖି ଜନ ।

ନ କହେ କି ସେ ଅନ୍ତର−ନିଭୃତ−ବାସନା,

ଏକନିଷ୍ଠ−ପ୍ରାଣ ଇଷ୍ଟ−ପ୍ରିୟ−ଉପାସନା ?

ବିମଳ ଲାବଣ୍ୟ ସ୍ୱଚ୍ଛ ଉରସସରସୀ—

ସ୍ନାତ ପ୍ରେମ ହୃଦସିଂହାସନେ ଥାଏ ବସି ।

ସୁବିମଳ ଗଣ୍ଡସ୍ଥଳ,ବିଲୋଳ ନୟନ,

ତଦୁପରି ଘନ ସାନ୍ଦ୍ର ଚିକୁର ଶୋଭନ ।

କହନ୍ତି ସେ ପ୍ରେମରାଜ୍ୟ−ରହସ୍ୟକାହାଣୀ,

ତନୁ ପ୍ରଚାରଇ କେଉଁ ପ୍ରେମରାଜ୍ୟ−ବାଣୀ ?

ତନୁ ତଳେ ଅନ୍ତରର ପ୍ରେମରାଜ୍ୟ ଛବି

ଆଭାସ ପାଇଣ ମୁଗ୍‌ଧ ବିଶ୍ୱେ କୋଟି କବି ।

ଗନ୍ଧେ ଆମୋଦିତ ତନୁ ଏମନ୍ତ ସୁନ୍ଦର,

ମାନସକୁସୁମ ଆହା କି ସୁନ୍ଦରତର !

 

ନବବଧୂ

 

ସରଳା ଚପଳା ପଲ୍ଲୀବାଳିକା ରୂପରେ

କ୍ରୀଡ଼ୁଥିଲୁ ନିଃସଙ୍କୋଚେ କାଲି ଚୌଦିଗରେ,

କି ମନ୍ତ୍ର ପଢ଼ିଲା ଆସି କେବଣ ଦେବତା,

କେଉଁ ଦିବ୍ୟ ମୁକୁଟରେ ହେଲୁ ବିଭୂଷିତା ?

କେଉଁ ପୁଣ୍ୟ ସିଂହାସନେ ହେଲୁ ଅଭିଷିକ୍ତ,

ନୟନ ନିବେଶି ଦେହେ ଭୁବନ ଚକିତ ।

ପାଇଲୁ ଦେବବାଞ୍ଛିତ ପଦ କେଉଁ ଚଳେ,

ପୁଣ୍ୟଦର୍ଶନ−ଲାଳସେ ଉନ୍ମୁଖ ସକଳେ ।

ପିନ୍ଧ ଶୁକ୍ଳଭୂଷା ଦୀପ୍ତ ଦିଗଙ୍ଗନାମାନେ,

ତବ ତନୁ ନିରେଖନ୍ତି ସହାସ ନୟନେ ।

ଦିବ୍ୟ ସ୍ନିଗ୍‌ଧ ବାସେ ମହକଇ ଅପଘନ,

ପୂତ ହୋମବହ୍ନି−ଧୂମେ ରକ୍ତିମ ନୟନ ।

ନବ ରକ୍ତ ପରିଚ୍ଛଦ ଧରଣୀ ଚୁମ୍ୱଇ,

ସଉରଭେ ଚଉଦିଗ ମହକି ଉଠଇ ।

 

ହରିଦ୍ରା−ଲେପିତ ତନୁ, ଚନ୍ଦନ−ଚର୍ଚିତ

ଶିର ବକ୍ଷ, ବଦ୍ଧ ବେଣୀ, ଅଲକ୍ତ−ରଞ୍ଜିତ

ନୂପୁର−ଶିଞ୍ଜିତ ଚାରୁ ଚରଣ ଯୁଗଳ,

ଚମ୍ପକ−ଅଙ୍ଗୁଳି−କଳି କବୀନ୍ଦ୍ରସମ୍ୱଳ ।

ଧନ୍ୟ ନବବଧୂ ଆଜି ଜୀବନର ଦିନ ।

ଧନ୍ୟ ଲୀଳାମୟ ପ୍ରଭୁ ତୁମ୍ଭର ବିଧାନ !

ଉଦ୍‌ବାହ−ଉତ୍ସବକାଳେ ଆଗୋ କୁଳବଧୂ,

ବର ସଙ୍ଗେ ହେଉ ତବ ଶୁଭମେଳ ମଧୁ ।

ଲାଗିଥାଉ ଯୁଗ୍ମ ପ୍ରାଣେ ପ୍ରେମ−ମହୋତ୍ସବ,

ଏହି ଆଶୀର୍ବାଦ କରେ ଦୀନ କବି ତବ ।

 

 

ନିଃସ୍ୱାର୍ଥ ପବିତ୍ର ପ୍ରେମେ ବେନିଏ ବନ୍ଧନ

କରିଣ ବେନିଙ୍କୁ କର ଜୀବନ ଯାପନ ।

ଯୁଗ୍ନ ଅଙ୍ଗେ ଏକ ଆତ୍ମା ହୋଇ ଏକାକାର

ଆଲିଙ୍ଗନ କରୁ ପ୍ରେମେ ଏ ବିଶ୍ୱସଂସାର ।

 

ସ୍ୱପ୍ନେ

 

ଘୋର ‘ଭାତନିଦେ’ ଦିନେ ଥିଲି ଅଚେତନେ,

ସ୍ୱପ୍ନଦେବୀ ବିଳସିଲେ ଆସି ମମ ମନେ ।

ବହୁଦିନୁଁ ରୋଗଶଯ୍ୟାଶାୟିନୀ ପ୍ରେୟସୀ,

କରୁଥିଲି ପରିଚାର୍ଯ୍ୟା ପାଶେ ସ୍ୱପ୍ନେ ବସି ।

ଦେଖିଲି ପଲକେ ମୋର ହେଲା ସର୍ବନାଶ,

ଚକିତେ ବୁଡ଼ିଲା ମୋର ସଂସାରର ଆଶା ।

ତା ମୁଖମଣ୍ଡଳ ଦିଶୁଥିଲା ପାଣ୍ଡବର୍ଣ୍ଣ,

ଅଙ୍ଗଯଷ୍ଟି ଦୀର୍ଘରୋଗେ ହୋଇଥିଲା କ୍ଷୀଣ ।

ତଥାପି ସ୍ୱର୍ଗୀୟ ଆଭା−ପୂର୍ଣ୍ଣ ସେ ଆନନ୍ଦ,

ବିବର୍ଣ୍ଣ ଦେଖିଣ ଦୁଃଖେ କଲି ମୁଁ ରୋଦନ !

ତାହା ଦେଖି ହସିଲା, କି ଦାରୁଣ ଆହ୍ଲାଦ !

ଭାଙ୍ଗିଗଲା ନିଦ୍ରା, ଦେଖେଁ ପ୍ରିୟା ସେବେ ପାଦ ।

କୋଟିଗୁଣେ ପ୍ରେମ ମମ ହେଲା ଜାଗରଣ,

ତା ଅମଳ ଗଣ୍ଡେ ଦେଲି ମୁଁ ସାନ୍ଦ୍ର ଚୁମ୍ୱନ ।

ଭାଳିଲଇଁ ଅଣ୍ଟିସୁନା ଲାଗେ ମୂଲ୍ୟହୀନ,

ହଜିଲେ ସେହିତା ପ୍ରାଣ ହୁଏ ଶୂନ୍ୟ ଦୀନ ।

 

ବିରହିଣୀ ରାଈ

—୧—

ବସନ୍ତେ ମେଘମୁକ୍ତ ବିତାନେ ଚାହିଁ

ରାଇ ଦୂତୀକୁ କହେ ବିରହୀ ରାଈ ଯେ ।

ବସନ୍ତ−ଦୂତ ପିକ ‘କୁହୁ’—ନିସ୍ୱନେ

ପୁଣି ରାବିଲା ସଖି । ନିକୁଞ୍ଜବନେ ଗୋ ।

କୁହୁକ ସରି କୁହୁ ସହି ଗୋ, ଶରୀ

ବିଦାରୁ ଅଛି ଦାରୁ ପବି ଯେପରି ଗୋ ।

 

—୨—

 

ଶ୍ରାବଣେ ନୀପଡାଳେ ବରହି−ସ୍ୱନ

ଶ୍ରବଣେ ବୃଷଭାନୁ−ଜେମା ଉନ୍ମନ ଯେ ।

ଯାଅ ଗୋ ଦୂତି, ନନ୍ଦକିଶୋର ପାଶେ,

କହ କଦମ୍ୱେ ଶିଖୀ ଧଇର୍ଯ୍ୟ ନାଶେ ଗୋ ।

ସେ ଭାବବିନୋଦିଆ−ମୂରଳୀ−ସ୍ୱନ—

ଶ୍ରୁତିରେ ଧୃତି ମନ ପ୍ରାଣ ଉଚ୍ଛନ୍ନ ଗୋ ।

ଆଶ୍ୱିନେ ଶ୍ୱେତ କାଶକୁସୁମପନ୍ତି

ଶାରଦ ଶୋଭା−ସରେ କି ସନ୍ତରନ୍ତି,

ସୁଷମାରାଶି ଧୃତି ହରନ୍ତି ମୋର

ଘେନିଆ ଦୂତି, କିନା ପ୍ରାଣ ଦୋସର ଗୋ ।

ନିଖିଳ ଋତୁ ଶୋଭା ପ୍ରିୟ ବିଛେଦେ

ପରିଣତ ହୁଅଇ ବିଷମ ଖେଦେ ।

 

ବିଚ୍ଛେଦେ

 

ମେଘ ବରଷଇ ବିଜୁଳି ମାରଇ

ବାଆ ବହେ ସୁଲୁ ସୁଲୁ,

ଘୋର ଅନ୍ଧକାର ବରଷାର ନୀର

ଝରୁଥାଇ ଝୁରୁ ଝୁରୁ ।

ପଡ଼ି ଧରାତଳ ଗଡ଼ିଯାଏ ଜଳ

ନାଳେ ନାଳେ କୁଳୁ କୁଳୁ,

ତରୁ ଡାଳେ ଡାଳେ ଉଡ଼ି ମାଳେ ମାଳେ

ଜୋନାକୀଏ ଜୁଳୁ ଜୁଳୁ ।

ଜଳବିନ୍ଦୁ ଦଳେ ତରୁଲତା ଦଳେ

ପଡ଼ୁଁ ଟପ ଟପ ସ୍ୱନ,

ଅଳପବୟସୀ ଦୂରପରବାସୀ

ଶୁଣନ୍ତେ ଉଦାସ ମନ ।

କେଉଁ ଦୋଷେ ଦୋଷୀ ହେଲେ ପରବାସୀ

କରନ୍ତି ବିଧାତା ଜନେ,

ଏହା ମନେ କରି ଦୁଃଖୀ ନରନାରୀ

ବିଧି ନିନ୍ଦେ ମନେ ମନେ ।

କବି କହେ ଧ୍ୟାୟି, ଶୁଣ ଶୁଣ ଭାଇ,

ବିଧି କି ନିନ୍ଦି ଚାଣ୍ଡେ,

ନୁହ ତରତର ସୁଧୀରେ ବିଚାର

ବିଧିଲୀଳା ବିଶ୍ୱଦାଣ୍ଡେ ।

 

ବିଚ୍ଛେଦ ମିଳନ ସୋଦର ସମାନ

ଏକ ପାଶେ ଥାଏ ଆନ,

ଅଭିନ୍ନ ଅନ୍ତର ବିବାଦ ତାଙ୍କର—

ବିଚିତ୍ର ବିଧିବିଧାନ ।

ମିଳନେ ଜନ୍ମଇ ବିଚ୍ଛେଦେ ବଢ଼ଇ

ପ୍ରୀତିର ଏହି ଲକ୍ଷଣ,

ପୀରତି କନକ ଦିଶେ ଜକ ଜକ

ବିରହ−ବହ୍ନି−କଷଣ ।

ପ୍ରଥମ ଦର୍ଶନେ ଜାତ ହୁଏ ମନେ

ଅପୂର୍ବ ପ୍ରୀତି ଅଙ୍କୁର,

ଚାରିଚକ୍ଷୁ କୋଣେ ମଧୁର ମିଳନେ

ପିଏ ସେ ରସ ମଧୁର ।

 

କାଳେ ସେ ଉଭାଏ କେଣେ ଚାଲିଯାଏ,

ମିଳନ ଅନ୍ତେ ବିରହ

କବି ପଚାରଇ ଏହି କାଣ୍ଡ ଭାଇ,

କେଉଁଠି ନ ହୁଏ କହ ?

ସତୀ ଦମୟନ୍ତୀ ଜାନକୀ ପାର୍ବତୀ

ଶକୁନ୍ତଳା ଆଦି ଯେତେ

ବିଚ୍ଛେଦେ ମିଳନ ଜଗତ−ଜୀବନ

ବର୍ଣ୍ଣିବି ମୁଁ ଆଉ କେତେ ?

ଗୋପପୁରବାସ ମଥୁରା ପ୍ରବାସ

ପ୍ରଭାସ−ମିଳନ−ଲୀଳା,

ଅଯୋଧ୍ୟା−ଜୀବନ ଲଙ୍କା−ଅପମାନ

ଅନ୍ତେ ଅଭିଷେକ ଖେଳା ।

ଏହି ପ୍ରୀତିରୀତି, ଯୁଗଯାଏ ବିତି,

ଯାଆଁଳା ଭାଇ ସେ ଦୁହେଁ

ବିଚ୍ଛେଦ−ମିଳନ ବିଧାତା−ନନ୍ଦନ

ଭାଳି ଭାଳି କବି କହେ ।

 

ପ୍ରୀତିର କପଟତା

 

ବିଷମ ଏ କପଟତା,

(କିମ୍ପା) ଲୁଚାଏଁ ପରାଣ ବ୍ୟଥା,

ନ ଦେଖିଲେ ଯାକୁ            ପ୍ରାଣ କାନ୍ଦେ, ତାକୁ

ଦେଖିଲେ ନ କହେଁ କଥା ।

 

ପ୍ରାଣର ଯେ ପ୍ରିୟତମ

(ଦେଖି) ଛାତି ପଡ଼େ ଦମଦମ,

ନ ଚିହ୍ନିଲା ପ୍ରାୟେ            ଚାଲି ଯାଉଥାଏଁ

(ଏ ଯେ) ପଡ଼ିଶା ବସାଇ ଢମ!

 

କିପାଁ ଏ ଯାତନା ସହେଁ,

କିପାଇଁ ଦୂରେ ମୁଁ ରହେଁ,

ପରାଣ ଫେଇଣ            ପରାଣ ବେଦନା

କାହିଁକି ତାକୁ ନ କହେଁ ?

 

ସେ କି ନ ବୁଝେ ମୋ ଢଙ୍ଗ ?

ସେ କି ନ ଜାଣେ ଏ ରଙ୍ଗ ?

ଫେରାଏଁ ନୟନ            ଲଜ୍ଜା ଛନଛନ

ହେଲେ ତା ମୋ ନେତ୍ର ସଙ୍ଗ !

 

ଗଭୀର ନିର୍ମଳ ପ୍ରୀତି,

ପ୍ରୀତି ସାଥୀ ବ୍ରୀଡ଼ା ଭୀତି,

ଜଳ ଜଳ କରି            ଚାହିଁବା ନୁହଁଇ

ନିର୍ମଳ ପ୍ରାତିର ରାତି ।

 

ବୁଝୁଛ ତ ପ୍ରିୟତମ

ପ୍ରାଣର ବାରତା ମମ

ହସି ହସି ଆସ            ହୃଦ ପରେ ବସ,

ଯାଉ ଏ ଲଜ୍ଜା ସରମ !

 

ଜନ୍ମ ଜନ୍ମାନ୍ତେ ଦର୍ଶନ,

ତୃପତ ନୁହଇ ମନ,

ପ୍ରାଣ ସିଂହାସନ            କର ଆରୋହଣ

ପ୍ରାଣକ୍ଷୁଧା ତୃଷ୍ଣା ମେଣ୍ଟ ।

 

 

ଦେଖିଛି କମଳାନନ

ପଦ୍ମପଳାଶ−ନୟନ

ଅଗାଧ ପ୍ରଣୟ—            ଜଳଧି ନିଳୟ

କଳ୍ପ କଳ୍ପାନ୍ତ ଜୀବନ ।

 

ଆସ ପ୍ରିୟତମ ଆସ,

କର ମୋ ପ୍ରାଣରେ ବାସ,

ଦାରୁଣ ବିରହ            ଏ ମୋର ଦୁଃସହ

ହର ମୋ ବିଚ୍ଛେଦପ୍ରାସ ।

 

ସୁକ୍ଷଣେ ଭେଟ

 

କେତେ ଯୁଗଅନ୍ତେ କେତେ କର୍ମ−ସୁତ୍ରେ

ଭେଟ ହୋଇଅଛି ତୁମ୍ଭ ମୋହର,

ମୁହଁ ନ ଫେରାଇ, ପଦେ କଥା କହି

ସାର୍ଥ କର ବିଧି, ପ୍ରାଣ−ଦୋସର ।

କିଏ କେଉଁ ଆଡ଼େ ଯିବା ପୁଣି ଚାଲି

ଭେଟ ପୁଣି କେବେ ହେବ କି ନାହିଁ,

କିଏ ଜାଣେ ଆହା କେତେ ଯୁଗ ଅନ୍ତେ,

ମନ ଖୋଲି କଥା କହ ରେ ଭାଇ ।

 

ପ୍ରାଣ ଖୋଲି ମୁହେଁ ଚାହିଁବ ନାହିଁ

ପ୍ରେମାନନ୍ଦେ କ୍ଷଣେ ହସିବ ନାହିଁ ?

ପ୍ରାଣଭରା ପ୍ରୀତି ଦେବ କି ନାହିଁ ?

ଭେଟ ହେଲା ତେବେ କେଉଁଥିପାଇଁ ?

ସାର୍ଥ କର ବିଧି−ବିଧାନ ଭାଇ

ଏ ସୁଯୋଗ କେଭେ ପାଇବା ନାହିଁ ।

ଚକ୍ଷୁ ଅନ୍ତରାଳେ କ୍ଷଣ ପରେ କିଏ

କେଉଁଆଡ଼େ ଯିବା କାହିଁ ଉଭାଇ ।

ଅନନ୍ତ ଆକାଶେ ଗ୍ରହ ତାରା ପରି

କେଉଁଦିଗେ କିଏ ଛୁଟୁଛେଁ ଭାଇ ।

ଜୀବନ ଅସ୍ଥିର ଅଚିର ଚଞ୍ଚଳ

କିଛି କାହିଁ ସ୍ଥିର ରହୁ ତ ନାହିଁ ।

 

ଗଲେ ଏ ଯୋଗଟା ଆଉ ପୁଣି ଭାଇ

ଏ ପ୍ରାଣ ମିଳନ ଘଟିବ ନାହିଁ ।

ମନ ତ ଚଞ୍ଚଳ ଧନ ତ ଚଞ୍ଚଳ

ଚଞ୍ଚଳ ଜୀବନ ଯୌବନ ଭାଇ ।

କିଏ ଜାଣେ ବନ୍ଧୁ କେଉଁ ଆଡ଼େ ଦୁହେଁ

ଦିନାକେତେ ପରେ ଯିବା ଉଭାଇ ।

 

ପୁରୁଷ ଓ ପ୍ରକୃତି

 

ରାମ ସୀତା ବିହରନ୍ତି ପୁର−ଉପବନେ,

ବିହଙ୍ଗ−ବିହଙ୍ଗୀ−କଥା ପ୍ରବେଶେ ଶ୍ରବଣେ ।

କହେ ପକ୍ଷୀ, “ମହାରାଜା ମାରିଲେ ରାବଣ,”

ପକ୍ଷିଣୀ କହଇ, “ରାଣୀ−ଯୋଗେ ତା ନିଧନ ।

ରାମ ଯେବେ ମାରିଥିଲେ ଲଙ୍କାର ରାବଣ,

ମାରନ୍ତୁ ସେ ଭଲା ଯାଇଁ ବିଲଙ୍କା−ରାବଣ ।”

ଶୁଣି ନୃପ କହିଲେ, “ଏ ଆଶ୍ଚର୍ଯ୍ୟ−ବିଷୟ ।”

କହନ୍ତି ଜାନକୀ, “ନାଥ ! ନ କର ସଂଶୟ ।

 

ନିକର ଆସୁରୀ ମାୟା ଅଟଇ ଏ ପ୍ରଭୁ !

ତୁମ୍ଭେ ମୋ କରତା ଭର୍ତ୍ତା ତୁମ୍ଭେ ମୋର ସବୁ ।

ମୋର ଏ ଜୀବନ ନାଥ ତୁମ୍ଭ ଶ୍ରୀପୟରେ,

ଏ ଦାସୀ ମାରିଲା ରକ୍ଷ ପୁଣି କି ପ୍ରକାରେ ?

ଅସୁର ନିପାତ କଲ, ତେଣୁ ମାୟା−ରୂପେ

ବିହଙ୍ଗ−ବିହଙ୍ଗୀରୂପୀ ଭଣ୍ଡନ୍ତି ଏରୂପେ,

ମାୟା−ମୃଗରୂପେ ଯେହ୍ନେ ଭଣ୍ଡିଲେ ଅସୁରେ,

ପକ୍ଷୀରୂପେ ପୁଣି ପ୍ରଭୁ ଆସିଲେ ଏ ପୁରେ ।”

ଯେତେ ବୁଝାଇଲେ ସୀତା ନ ବୁଝିଲେ ରାମ,

ଦେଖିଲେ ପ୍ରମାଦ ସତୀ, ବିଧି ହେଲେ ବାମ ।

 

ଯୁଝିଲେ ସହସ୍ରଶିରା ରାବଣ ସହିତ,

ବର୍ଷ ବର୍ଷ ବିତିଗଲା ନୋହିଲା ସେ ହତ ।

ଲକ୍ଷଶିରାପୁତ୍ର ଶତଶିରାନାତି−ଯୁତ

ରାମ ସୈନ୍ୟ କ୍ଷୟ କଲା ଅୟୁତ ଅୟୁତ ।

ସୀତାରୂପ ବର୍ଣ୍ଣଥିଲା ଦିନେ ଗୁପ୍ତ ଦୂତ,

ସେ ଲାବଣ୍ୟେ ରକ୍ଷ−ମତି ହେଲା ଅଭିଭୂତ ।

ଶ୍ରୀରାମ−ଶିବିରେ ଛଦ୍ମ ବେଶେ ଉପଗତ

ପାବନୀ−ପୀଡ଼ିତ ହୋଇ ହେଲା ବହିର୍ଗତ ।

ସେ ପାପେ ହଟିଲା ବଳ ହେଲା ତା କୁମତି,

ତପୋବଳ କ୍ଷୟ ହେଲା, ଘଟିଲା ଦୁର୍ଗତି ।

ସୀତା−ଅପାମାନେ ରାମ ହେଲେ ରାଗାନ୍ୱିତ,

ବିଲଙ୍କାର ଅଧିପତି ହେଲା ଭୂଲୁଣ୍ଠତ ।

ବର ଦେଲେ ରାବଣାରି, “ଏ ଚାରି ଯୁଗରେ

ପ୍ରକୃତିବଳରେ ଲୀଳା ହେବ ଘରେ ଘରେ ।

ଗୃହିଣୀ ବିହୁନେ ଗୃହ ଅରଣ୍ୟ ସମାନ,

ଆଶା ଆସକ୍ତିରେ ନର ହୁଏ ଯତ୍ନବାନ ।

 

ବିଦେଶିନୀ

 

କଲିକତା ନଗରୀରେ ବିଜେ ସନ୍ଧ୍ୟା−ରାଣୀ,

ଗହ ଗହ ଡାକଦିଏ ବଙ୍ଗ ରାଜଧାନୀ ।

ଘର୍ଘର ନିନାଦେ ଛୁଟେ ନାନାବିଧ ରଥ,

ଗହଳ ଚହଳ ମହାଭିଡ଼ ରାଜପଥ ।

ଶୁଣିଣ ବାଷ୍ପୀୟ ରଥ ଘର୍ଘର ନିନାଦ

ବାଷ୍ପୀୟ ବୋଇତ ଗର୍ଜେ ଜଳେ କରି ବାଦ ।

ବିଦ୍ୟୁତ−ଆଲୋକେ ଦିଶେ ଦିଗ ଦାଉ ଦାଉ,

ଚାରିଆଡ଼େ ଶୁଭୁଅଛି ଖାଲି ହାଉ ହାଉ ।

ବଗି ଚଢ଼ି ବାବୁ ବିବି ଧାଇଁଛନ୍ତି ବସି

କେହି ବା ଗମ୍ଭୀର ମୂର୍ତ୍ତ କେହି ହସ ହସି ।

 

ତିମହଲା ଇମାରତେ ମାଞ୍ଚିଆ ପକାଇ

କହେ କଥା ଚୀନା ଚୁଟି ହଲାଇ ହଲାଇ ।

ଟୁଉଁଟାଆଁ କଟର୍ ମଟର୍ ହୋଇ ଗୋରାମାନେ ।

ଯାଉଛନ୍ତି କଥା କହି ମିସି ମେମ୍ କାନେ ।

ହାଙ୍କି ହାଙ୍କି ଚାଲିଯାଏ ଖୁଜୁରା ବେପାରୀ,

‘ଆସ ଆସ’ ଡାକେ ମାଡ଼ବାରୀ ଦୋକାନଦାରୀ ।

ବିପଣୀ ବୀଥିକା ଦେଖି ଦେଖି ବେନି ମିତ୍ର

ଆସୁଁ ଆସୁଁ ଭେଟିଲୁଁ ଯେ ପଦାର୍ଥ ବିଚିତ୍ର ।

ରୁଧିରଲୋହିତ ବନ ହେଙ୍ଗୁଳ ସଙ୍କାଶ

ମହକାଇ ଦିଗ ତହୁଁ ଚହଟୁଛି ବାସ ।

 

 

ସୁନ୍ଦର ସାବିନି ବୋଲ ମୂଲାଇଲୁଁ ତାହା,

ପଇସାକୁ ଗୋଟା, ଏହା କେହ୍ନେ ହେଲା ଆହା !

ଲୋଭେ ପଡ଼ି ବହୁଖଣ୍ଡ ନେବୁ କଲୁଁ ସ୍ଥିର,

ଅଦୂରୁଁ ଶୁଭିଲା ‘ପାନ୍ ନିନ୍’ ସୁଧାଗିର ।

ଦେଖିଲୁଁ ହସୁଛି ଟହ ଟହ ନାରୀମୂର୍ତ୍ତ,

ଚାଲିଗଲୁଁ ; ଅଛି ମନେ ବିଦେଶିନୀ ସ୍ମୃତି ।

ଯେତେ ହୋ ପତିତା, ନାରୀ, ତୁ ମାନବମିତ୍ର,

ପ୍ରବଞ୍ଚକ ନରଠାରୁ ଶ୍ରେଷ୍ଠ ତୋ ଚରିତ୍ର ।

 

ଉତ୍କଳ ସାହିତ୍ୟ ସମ୍ପାଦକ ଓ ଲେଖକ

କଳଙ୍କିନୀ

 

—୧—

ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ କେଶ,

ମୁଁ ଛାଡ଼ିଲି ବାପ ଭାଇ, ତୁ ଛାଡ଼ିଲୁ ଦେଶ ।

ଯାହା ମନ ଯାହାଠାରେ ଲାଖି ଯାଏ ରସେ,

ତା ପରି ନ ଦିଶେ କେହି ରହେ ଯେ ତା ବଶେ ।

ସଂସାର ତ ସୁଖବାଇ, ଲୋଡ଼େ ଯେଝା ସୁଖ,

ଅନ୍ଧ ହୋଇ ଆନେ ପୁଣି ଦେଉଥାନ୍ତି ଦୁଃଖ ।

ପିଇଦେଲେ ପ୍ରେମ−ମଦ ନ ଦିଶଇ ବାଟ,

ନିଶାଖୋରେ ବାଟ ଛାଡ଼ି ଚାଲନ୍ତି ଅବାଟ ।

ନିଶାଝୁଙ୍କେ ହଜିଯାଏ ମାନବଚେତନା,

ପ୍ରୀତିରସେ ବୁଡ଼ିଯାଏ ସମାଜ ମାନନା ।

ଆଗ ପଛ ନ ବିଚାରି ହୋନ୍ତି ନୁଉଛୁଣା,

ହାଇରେ ଏଇଥି ପାଇ ସୁନାଘର ଚୂନା ।

ତୁଟି ପଡ଼ିଯାଏ ପାପପ୍ରୀତି−ସଉଦାରେ,

ଅଢ଼େଇ ଦିନରେ ପଡ଼େ ବଡ଼େଇ ପଦାରେ ।

 

ଆହା ମୋ ଜନମଭୂମି କୁଆଡେ ରହିଲ,

ମୁହଁ ଲୁଚାଇଲ ସିନା ଯେ ଯୁଆଡ଼େ ଥିଲ ।

ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ିଦେଲେ କେଶ,

ମୁଁ ଛାଡିଲି ବାପ ଭାଇ, ତୁ ଛାଡିଲୁ ଦେଶ ।

 

—୨—

କିପରି କହିବି କେଉଁ କୁହୁକରେ ହୁଡ଼ି,

କଳଙ୍କ−ସମୁଦ୍ର−ଜଳେ ଚାଲି ମୁହିଁ ବୁଡ଼ି ।

ଜାତି କୁଳ ମାନ ଆହା ହରାଇ ବିସିଲି,

ବାପ ଭାଇଙ୍କର ମୁହଁ ତଳକୁ ମୁଁ କଲି !

ବୈକୁଣ୍ଠ ସମାନ ଘରେ ବାପଭାଇ ସେବା,

ସାନ ଭାଇ ଭଉଣୀଙ୍କ କାମରେ ଲାଗିବା,

 

ସାଇପଡ଼ିଶାଙ୍କ ମେଳେ ନିର୍ମଳ ଜୀବନ,

ଲାଗୁଅଛି ମୋତେ ପୂର୍ବଜନମ−ସ୍ୱପନ ।

ତ୍ରିଜଗତେ ମୋର ଆଉ କେହି ନାହିଁ ସାହା,

କେହି ନାହିଁ କହିବାକୁ ପଦେ ମୋତେ ‘ଆହା’ ।

ଖରାରେ ଠିଆ ହେଲେ ଯେ ଛାଇକୁ ଡାକିବ,

ପଡ଼ି ଏ ଅପନ୍ତରାରେ ସାହା ଉଡ଼ିଯିବ ।

ହାଡ଼ି ଘୋଷାରିବ ସିନା ଛୁଇଁଣ ଏ ଅଙ୍ଗ,

କିପାଇଁ ତେଜିଲି ଜ୍ଞାତି କୁଟୁମ୍ବଙ୍କ ସଙ୍ଗ ।

କି କରିବି କାହିଁ ଯିବି ନିରିମାଖୀ ନାରୀ,

ମୋଠାରେ ସଂସାରେ ଦୟା ନୋହିବ କାହାରି !

ହାଇ ରେ ! ମୁଁ ଜାଣିଥିଲେ ବେଳସୁଁ ଏକଥା,

ନୁଆଁଇ ନ ଥାନ୍ତି ବାପଭାଇଙ୍କର ମଥା ।

 

—୩—

ଆହାରେ ! ନିଅନ୍ତେ ଯେବେ ମୋତେ ସମାଜରେ

ଆଚାରେ ରହନ୍ତି ଯାଇଁ ପୁଣି ମୁହିଁ ଘରେ ।

ଦିବସାନ୍ତେ ପୁଣି ମୁହିଁ ହବିଷ୍ୟାନ୍ନ ଖାଇ

ସ୍ୱଜନ ସେବାରେ ପ୍ରାଣ ଦିଅନ୍ତି ଲଗାଇ ।

ପରମପୁରୁଷେ ଭଜି ପ୍ରତି ତ୍ରିସନ୍ଧ୍ୟାରେ

ପର ପୁରୁଷ−ମୁଖକୁ ନ ଅନାନ୍ତି ବାରେ ।

ହେ ମାତଃ ସାବିତ୍ରୀ ସୀତା ଦମୟନ୍ତୀ ସତୀ,

ତବ କୁଳେ ଜାତ ଏହି ଅଧମ ସନ୍ତତି ।

ନାରୀତ୍ୱ−ସତୀତ୍ୱ−ତେଜ କଣିକାଏ ଦେଇ

ପୁଣ୍ୟନଦୀ ନୀରେ ବାରେ ଦିଅଗୋ ବୁଡ଼ାଇ ।

ନ ଦେଲେ ସମାଜ ନାହିଁ ପାପୀକୁ ଶରଣ,

ନ କରିବି ପାପ ସେବି ଶ୍ରୀହରିଚରଣ ।

ଜୀବିକା−ଅର୍ଜନ କରି ସୁପବିତ୍ର ମନେ,

ପରହିତ ପରସେବା ସାଧି ପ୍ରାଣପଣେ,

ପୁଣ୍ୟ ନୀରେ ଏ ଜୀବନ ଦେବି ମୁଁ ଭସାଇ

ଆସ ହେ ସଂସାରେ ଯେତେ ମୋ ଭଉଣୀ ଭାଇ ।

 

ଯେ ଅଛ ଯେଠାରେ ପ୍ରାଣୀ ପାଶେ ଅବା ଦୂରେ

ପୂଜିବି ଚରଣ ତବ ମମ ପ୍ରାଣପୁରେ,

ଅନୁତାପ ଜଳି ମୋର ନବୀନ ପରାଣ,

ବିଶ୍ୱ ଦିଶେ ମୋତେ ପୁଣ୍ୟ ସୁନ୍ଦର ଭୁବନ ।

ପ୍ରଭୁଙ୍କର ଲୀଳା−ପୀଠ ଏ ବିଶ୍ୱସଂସାର,

ଜୀବନ ପରୀକ୍ଷା−ଭୂମି ସ୍ୱର୍ଗର ଦୁଆର ।

 

ଚମ୍ପାବତୀ ରାଜକନ୍ୟାର ସ୍ୱପ୍ନ

—୧—

ଚମ୍ପାଫୁଲଟିଏ ପାଇଲି ବନ ହଳଦୀ ପ୍ରାୟେ,

ଶିବ ଉପାସନା କରିବି କାନ୍ତ ଆସିବା ଯାଏ ।

ଚମ୍ପାବତୀ ରାଜକୁମାରୀ ସେଯେ ନବ ତରୁଣୀ

ଗୀତ ଗାଏ ନିଜ ନବରେ ନିଜ ମନରେ ଗୁଣି ।

ସଖୀମେଳେ ଖେଳୁଥିଲଇଁ ମହା ହରଷଭରେ,

ଜନକ ଜନନୀ ସେନେହ ଭାସି ନିଶି ବାସରେ ।

 

କେଉଁ ଦେଶୁଁ ଆସି କିମନ୍ତ୍ର ପଢ଼ୁ ନବ ଯୌବନା,

ଅବ୍ୟକ୍ତ ବିଷାଦେ ବ୍ୟାକୁଳ ହେଲା ଏ ମୋର ମନ

ବାଲ୍ୟ−ଚପଳତା ଉଭେଇ ଗଲା କେଣେ ମୋହର

କେଉଁ ନବ ରାଜ୍ୟେ ଅଇଲି ନୋହିଲା ତ ଗୋଚର ।

ଖେଳ ହସ ଖୁସି ଆଉ ତ ମୋତେ ନ ଲାଗେ ସୁଖ

ନିଭୃତ ଅନ୍ତରେ ପଶିଲା କାହୁଁ ଅବ୍ୟକ୍ତ ଦୁଃଖ ।

କାହିଁ କିବା ଛାଡ଼ି ଆସିଲା ପ୍ରାୟ ଲଗାଇ ମୋତେ,

କିଏ ଛାଡ଼ିଦେଇ ଯାଇଛି ମୋତେ ବିଦେଶେ ସତେ ।

ଲାଗୁଛି ପରାଣ ଅପୂର୍ଣ୍ଣ ଯେହ୍ନେ ଶୂନ୍ୟ ସଂସାର,

ମୁହିଁ ଯେହ୍ନେ ମୋର ନୁହଇ ସତେ ଆଉ କାହାର ।

 

ଆହା କି ହେଲା ରେ ଏ ମନ, ଧିକ ଏ ପ୍ରାଣ ଯାଉ,

ଜନକ ଜନନୀ ସେନେହେ ମନ ନ ମାନେ ଆଉ ।

ଭାବାନ୍ତର କିମ୍ପା ହେଲାରେ ବୁଝି ନ ପାରେ କିଛି,

ଜାଣିଲେ ଜନକ ଜନନୀ କିବା ବୋଲିବେ ଛି ଛି !

ସଖୀଏ ବା କିସ କହିବେ ଜାଣି ପାରିଲେ କଥା,

ନ କହି ତାଙ୍କୁ ବା ସହିବି କେଉଁପରି ଏ ବ୍ୟଥା ।

ନିଜ ରୂପ ନିଜେ ନିରେଖି ମୋତେ ମାଡ଼ଇ ଲାଜ,

ଉତ୍ତୁଙ୍ଗ ଉରସେ କାହାର ଅଛି କେବଣ କାର୍ଯ୍ୟ !

ଏ ନବ ଯୌବନ ଏକାକୀ କିସ କରିବି ଆହା,

କିଏ ମୋ ଜୀବନବଲ୍ଲଭ ତାଙ୍କୁ ଦେବଇଁ ତାହା ।

ଚମ୍ପାଫୁଲଟିଏ ପାଇଲି ବନ ହଳଦୀ ପ୍ରାୟେ,

ଶିବ ଉପାସନା କରିବି କାନ୍ତ ଆସିବାଯାଏ ।

 

—୨—

କାହା ଲାଗି ପ୍ରାଣ ଉଦବିଗ୍ନ ଛନ୍ନ ଛନ୍ନ ମୋ ମନ,

କେଉଁ ଦେଶେ ରାଜକୁମରେ ଦେଖିଲଇଁ ସ୍ୱପନ ।

କିବା କୁଳଶୀଳ ତାଙ୍କର ସେ ଯେ କାହା ନନ୍ଦନ,

କାହାକୁ ସ୍ୱପନେ ଦେଖିଣ ମୁଁ ଯେ ହେଲି ଉନ୍ମନ ।

କହିଲେ ବିଦେଶୀ କୁମର ସ୍ୱପ୍ନେ ମଧୁ ବଚନ,

ଢଳ ଢଲ ତାଙ୍କ ଚାହାଣୀ କିଣି ନେଲା ମୋ ମନ ।

ଲାଜରେ ଜୀବନ ଯୌବନ ନ ସମ୍ପିଲି ପୟରେ,

କାହିଁ ଗଲେ ନବ ତରୁଣ, ଏବେ ଝୁରିଣ ମରେଁ !

ମନଚୋର ମନ ଚୋରାଇ କାହିଁ ଗଲେ ନିମିଷେ,

ଆକୁଳ ପରାଣ ମୋହର ତାଙ୍କ ବିନା ଏ ଦେଶେ ।

ଏ ମୋର ସ୍ୱପୁର ଲାଗି ଯେହ୍ନେ ଦୂର ପ୍ରବାସ,

ତାଙ୍କ ସଙ୍ଗେ କରି ପାରଇ ଘୋର ଗହନବାସ ।

ପାରିଧିରୁ ବେନି ସୋଦରେ ବାହୁଡ଼ନ୍ତି ଦିନାନ୍ତେ,

ଦେଖି ଭାଳେଁ, ଦେଖିଛନ୍ତି କି ସେ ମୋ ପରାଣକାନ୍ତେ

କିଏ ସେ କି ନାମ ତାଙ୍କର କେଉଁ ଦେଶରେ ଘର,

ଜାଣେ ନାହିଁ ସବୁ ବୃତ୍ତାନ୍ତ, କିନ୍ତୁ ଲୋଡ଼େ ଅନ୍ତର ।

 

କେବେ ହେବ ପ୍ରିୟଦର୍ଶନ ଏହି ନବ ଯୌବନେ,

ଅରପିବି ମୁଁ ଏ ପରାଣ ତାଙ୍କ ଦିବ୍ୟ ଚରଣେ ।

 

—୩—

ଚମ୍ପାଫୁଲଟିଏ ପାଇଲି ବନ ହଳଦୀ ପ୍ରାୟେ,

ଦେବ ଆରାଧନା କରିବି କାନ୍ତ ପାଇବା ଯାଏ ।

କାହାଲାଗି ପ୍ରାଣ ଉଦାସ ଛନ ଛନ ମୋ ମନ,

କେଉଁ ଦେଶ ରାଜକୁମରେ ଦେଖିଲଇଁ ସ୍ୱପନ

ଜଳୁଥିଲା ରତ୍ନ ପ୍ରଦୀପ, କିଳିଥିଲି କବାଟ,

ଏ ପୁରେ କେମନ୍ତେ ପଶିଲେ ପାଇ କେବଣ ବାଟ

ନିଦ୍ରାବେଶେ ଥିଲି, ହା ଲାଜ ! ମୁଁ ଯେ ଅଣଆୟତ୍ତେ,

ଖସିଥିଲା ବାସ ଅଙ୍ଗରୁ ଦେଖିଲଇଁ ଜାଗ୍ରତେ ।

ଦୀପାଲୋକେ ଦେଖିଥିବେ ସେ ମୋର ଏ ସ୍ରସ୍ତ ବେଶ,

ଦେଖିଥିବେ ସିନା ବସନମୁକ୍ତ ଉରସ କେଶ ।

ଚମ୍ପାଫୁଲେ କେଶ ମଣ୍ଡାଇ ହାର କଣ୍ଠେ ଲମ୍ୱାଇ

ଅସ୍ପଷ୍ଟ ସ୍ୱପନେ ସୁନ୍ଦର କେଣେ ଗଲେ ଉଭାଇ ।

 

 

—୪—

ଚମ୍ପାଫୁଲଟିଏ ପାଇଲି ବନ ହଳଦୀ ପ୍ରାୟେ,

ଦେବ ଆରାଧନା କରିବି କାନ୍ତ ପାଇବାଯାଏ ।

ଶ୍ୟାମଳ ସୁନ୍ଦର ଧରଣୀ ଚାହିଁ ନୀଲ ଆକାଶ

ଶୀତ ପ୍ରେମବାରି ମାଗିଣ କରେ ସ୍ୱତାପ ନାଶ ।

ପିତୃକୋଳ ତେଜି ତଟିନୀ ଯାଏ ବାରିଧି ପାଶେ,

ଉତ୍କୂଳ ଜୀବନ−ଜୀବନ ପଦେ ଢାଳିବା ଆଶେ ।

ସୁକୁମାରୀ ଲତା ବିଟପୀ−ଅଙ୍ଗେ ଲୋଡ଼ି ଆଶ୍ରୟ

ଆଲିଙ୍ଗନ କରେ ସପ୍ରେମେ ତେଜି ସକଳ ଭୟ ।

ଭାନୁ−କରେ ନବ ନଳିନୀ ଫୁଟି ଲଭଇ ମୁଦ,

ବିଧୁ−ବିଭା ପାଇ ହସଇ ନିମୀଳିତ କୁମୁଦ ।

ଢଳ ଢଳ ପ୍ରେମ ଚପଳା ଖେଳେ ନବୀନ ଘନେ

ଯୁଗ୍ମେ ଯୁଗ୍ମେ ବିହି ଖଞ୍ଜିଛି ସର୍ବେ ଖିଳ ଭୁବନେ ।

 

ଏକାକିନୀ ମୁହିଁ କି ଦୋଷେ କାଟେ ନବ ଯୌବନ,

ଉଚ୍ଛ୍ୱସିତ ଏ ମୋ ପ୍ରଣୟ ରଖି ନ ପାରେ ମନ ।

ଏ ବିଶ୍ୱବାଜେଣୀ ବୀଣାରେ ମୋ ବିରହ ଗାୟନ

ଏକ ତାନେ ଯେହ୍ନେ ଉଠଇ ଶୁଣି ହୁଏ ଉନ୍ମନ ।

ସୁସ୍ୱର ବିହଙ୍ଗ ସୁତାନ କୁସୁମିତ ବଲ୍ଲରୀ

ସହାସେ ସୂଚନ୍ତି “ବିଫଳ ଏ ଯୌବନ ମୋହରି”,

କାହାନ୍ତି ସେ ମୋର ଇପ୍‌ସିତ ମୋର ଜୀବିତେଶ୍ୱର,

ନିବେଶିବି ଦଗଧ ବକ୍ଷରେ ଯାଙ୍କ ଦିବ୍ୟ ପୟର ।

ଆପଣାକୁ ଦେଇ ଯାହାଙ୍କୁ କରି ନେବି ନିଜର,

ଏହି ମୋ ଯୌବନ ଉଦ୍ଦେଶ୍ୟ ସାର ଏ ଜୀବନର ।

ଚମ୍ପାଫୁଲଟିଏ ପାଇଲି ବନ ହଳଦୀ ପ୍ରାୟେ,

ଦେବ ଆରାଧନା କରିବି କାନ୍ତ ପାଇବାଯାଏ ।

 

ରାଜପୁତ୍ରର ସ୍ୱପ୍ନ

 

—୧—

 

ସ୍ୱପନେ ଅପୂର୍ବ ରାଜକନ୍ୟା

ରୂପ ଦେଖି ମୁଗ୍‌ଧ ରାଜସୁତ,

କଳ୍ପନା−କନକ−ଗଡ଼େ ବୀର

ରୋମନ୍ଥଇ ସ୍ୱପନ ଅଦ୍ଭୁତ ।

ପ୍ରିୟା ମମ କି ଲାବଣ୍ୟମୟୀ ।

ଢଳ ଢଳ ତା ଅଙ୍ଗ−ଯୌବନ,

ଶ୍ୟାମା ଲତା ତନୁରେ କୁସୁମ

ହସୁଥାଇ ଫୁଟିଣ ଯେସନ ।

ପ୍ରିୟା ମମ ନବୀନା ତରୁଣୀ

ବୟଃସନ୍ଧି ହୋଇଛି ତାହାର,

ଲାବଣ୍ୟ−କାସାରେ ପଦ୍ମ ସରି

ତନୁ ତାର କେମନ୍ତ ବାହାର ।

 

ପ୍ରିୟା ମମ କି ଲାବଣ୍ୟବତୀ

ନେତ୍ର ବେନି ପ୍ରେମ−ଢଳଢ଼ଳ,

ସୁବର୍ଣ୍ଣ−ସରସୀ−ଉରେ ଯେହ୍ନେ

ଆନ୍ଦୋଳିତ ନିଳାବ୍‌ଜ ଯୁଗଳ ।

କୁଞ୍ଚିତକୁନ୍ତଳା ପ୍ରିୟା ମମ

ତା ଚିକୁର ଆଜାନୁ ଲମ୍ୱିତ,

ସ୍ୱର୍ଣ୍ଣବର୍ଣ୍ଣ ସୌଦାମିନୀ ଯେହ୍ନେ

ନୀଳ ଘନ ଅଙ୍ଗେ ସୁଶୋଭିତ ।

ପ୍ରିୟା ମମ ଆୟତଲୋଚନା

ଆକର୍ଣ୍ଣ ଲମ୍ୱିତ ତା ନୟନ,

ଗଣ୍ଡ ତାର ସୁବର୍ଣ୍ଣଫଳକ

ଅପଘନ ଚମ୍ପକବରଣ ।

ପଦଯୁଗ୍ମ ତ୍ରିଦିବ−ସରୋଜ

ଅଙ୍ଗୁଳି ତା ଚମ୍ପକର କଳି,

ଅଙ୍ଗଯଷ୍ଟି ପ୍ରୀତି−ଉତ୍ତରଳ

ବାତ−ଆନ୍ଦୋଳିତ ନବ ବଲ୍ଲୀ ।

 

—୨—

ମୋ ବାସନା, ଅଙ୍ଗରାଗରୂପେ

ରହନ୍ତି ମୁଁ ପ୍ରିୟା ଅପଘନେ,

କଜ୍ୱଳପାତୀର କଳା ହୋଇ

ରହନ୍ତି ମୁଁ ଆୟତ ନୟନେ ।

ଫରୁଆର ସିନ୍ଦୂର ହୋଇଣ

ରହନ୍ତି ମୁଁ ପ୍ରିୟତମା ଭାଲେ,

ତିଳକର ଟୋପା ରୂପ ଧରି

ଲାଖନ୍ତି ମୁଁ ପ୍ରେୟସୀ କପାଳେ ।

ଚନ୍ଦ୍ରହାର ହୋଇଣ ନିତମ୍ୱ—

ଜଘନ ମୁଁ ମଣ୍ଡନ୍ତି ପ୍ରିୟାର,

ଚୁମ୍ୱୁଥାନ୍ତି ପୀନ ପୟୋଧର

ହୋଇଣ ତା ଗଳା ରତ୍ନାହାର ।

 

କର୍ଣ୍ଣେ ଝୁଲି କର୍ଣ୍ଣ ଫୁଳରୂପେ

ଚୁମ୍ୱନ୍ତି ତା ହେମ ଗଣ୍ଡସ୍ଥଳ,

ବଳୟ ରୂପରେ ହସନ୍ତି ମୁଁ

ଛନ୍ଦି ପ୍ରିୟାଚରଣଯୁଗଳ ।

ବାଜୁବନ୍ଧରୂପେ ବେଢ଼ନ୍ତି ମୁଁ

ପ୍ରିୟା ବାହୁମୃଣାଳଯୁଗଳ,

ଉପାଧାନ ହୋଇ ମୁଁ ରହନ୍ତି

ଘନ−କୃଷ୍ଣ−କେଶ ଶିରତଳ ।

ଫୁଲହୋଇ ହରନ୍ତି ମାନସ,

ମଣ୍ଡନ୍ତି ମୁଁ କର−କର୍ଣ୍ଣ−କେଶ,

ପଡ଼ନ୍ତି ତ ସ୍ୱର୍ଣ୍ଣ ତନୁପରି

ହୋଇ ଶୁଭ୍ର କୌମୁଦୀର ବେଶ ।

ମାଟି ହୋଇ ପଡ଼ିଥାନ୍ତି ତଳେ

ପ୍ରିୟା ମୋ ଚାଳନ୍ତା ମୋ ଉପରେ,

ଭାଙ୍କି ମୋତେ ଜାଳନ୍ତା ଶ୍ରୀକରେ,

ଜନ୍ମନ୍ତି ମୁଁ ଇନ୍ଧନରୂପରେ ।

 

ହୁଅନ୍ତି ମୁଁ ବାସିତ କୁସୁମ

ବାସ ପ୍ରିୟା କରନ୍ତା ଗ୍ରହଣ,

ମଧୂରୂପେ ଲାଜବତୀ ଶ୍ୟାମା

କରନ୍ତା ମୋ ସ୍ୱାଦ ଆସ୍ୱାଦନ ।

ଛବିରୂପେ ଦେଖନ୍ତା ସେ ମୋତେ,

ପକ୍ଷୀରୂପେ ଶୁମନ୍ତା ମୋ ଗୀତ,

ଏତେରୂପେ ହେଲେହେଁ ତା ସଙ୍ଗୀ

ହୁଅନ୍ତା କି ତୃପତ ମୋ ଚିତ୍ତ ?

ତନୁ ତାର ହେଲେହେଁ ସୁନ୍ଦର

ଦୂର ହେବି ରହି ଅପଘନେ,

ମନ ତାର ଅଧିକ ସୁନ୍ଦର

ସ୍ୱପେ ତାର ପଶନ୍ତି କି ମନେ ।

 

ନାହିଁ ନାହିଁ ପ୍ରବେଶିଲେ ମନେ

ଅଜ୍ଞାତେ, ମୋ ନ ମେଣ୍ଟିବ ଆଶା,

ଜ୍ଞାନେ ଯେବେ ଇଚ୍ଛାବତୀ ବାଳା

ମୋହଠାରେ ବଢ଼ାନ୍ତା ପିଆସା !

ରୂପ ତ ଅଳପଦିନ ସ୍ଥାୟୀ,

ଅଢ଼ାଇ ଦିନରେ ଯିବ ତାହା,

ଧନ ଯଉବନ ତ ଚଞ୍ଚଳ,

ଚାହୁଁ ଚାହୁଁ ଚାଲିଯାଏ ଆହା !

ଏମନ୍ତ ଅସ୍ଥିର ଧନ ରୂପେ

ମୁଗ୍‌ଧା ବାଳା ଦୁଇ ଦିନ ପରେ

ଜାଣିପାରି ପ୍ରବଞ୍ଚିତା ବୋଲି

ତେଜନ୍ତା ସେ ଅସାର ରୂପରେ ।

କେଉଁରୂପେ ଲାବଣ୍ୟମୟୀର

ଯୋଗ୍ୟ ହେବି କାହିଁ ତାର ବାଟ ?

ଏ ଜଗତେ ବସିଅଛ ମହା—

ରୂପବନ୍ତ ରାଜପୁତ୍ରହାଟ ।

 

ଭୂବନବିଜୟୀ ବାହୁବଳ−

ବୃତ୍ତାନ୍ତ ମୋ ରଟନ୍ତା ସଂସାରେ,

ଲକ୍ଷ ରାଜା ଉପେକ୍ଷିଣ ବାଳା

ଲମ୍ୱାନ୍ତା କି ମାଳା ମୋ ଗଳାରେ ।

ମହାଧନୁ ଭାଙ୍ଗନ୍ତେ ସବଳେ

ପ୍ରିୟା ମୋତେ କରନ୍ତା ବରଣ

ଅସାଧ୍ୟସାଧନ ଲକ୍ଷ୍ୟ ଭେଦୁ

ପାଣି ମମ କରନ୍ତା ଗ୍ରହଣ ।

ପିତା ତାର ବିବାହ−ସଭାରେ

କରିଥାନ୍ତା ବିଭା ଆୟୋଜନ,

ମୋତେ ଝୁରି ମୋର କୀର୍ତ୍ତନୁଗ୍‌ଧା

ପାଶେ ବାର୍ତ୍ତା କରନ୍ତା ପ୍ରେରଣ ।

 

ଈର୍ଷ୍ୟାନଳେ ଜଳି ତାର ପିତା

ମୋ ମୂର୍ତ୍ତକୁ ଦ୍ୱାରରେ ରଖନ୍ତା,

ମଦ୍‌ଗତ ହୃଦୟା ବୀରବାମା

ପିତୃ−ଶତ୍ରୁ−ମୂର୍ତ୍ତିକୁ ବରନ୍ତା ।

ବିବାହସଭାରୁ ତାକୁ ଘେନି

କଟାକ୍ଷେ ମୁଁ କରନ୍ତି ଗମନ,

ଛତ୍ରିପଣ ଚାହିଁଣ ତଟସ୍ଥେ

ରହିଥାନ୍ତେ ମହାବୀରଗଣ

ଗୁଣେ ମୁଗ୍‌ଧା ବାଳା ଗୁଣବତୀ

ରୂପହୀନ ଜାଣି ମୋତେ ସତୀ

ବରରୂପେ ବରିବାର ପାଇଁ

କରୁଥାନ୍ତା ତପ କଷ୍ଟେ ଅତି ।

ଛଦ୍ମବେଶେ ନିଜକୁ ନିନ୍ଦନ୍ତେ

ନାମ ଗୁଣ ଜପି ବାଳାମଣି

କହନ୍ତା,“ହେ ମୋ ପତିନିନ୍ଦୁକ,

ତୁମ୍ଭେ ଏଥୁଁ ଯାଅ ଏହିକ୍ଷଣି ।”

 

ମମ ଗୁଣେ ତୃପତହୃଦୟା

ଅଳ୍ପାୟୁ ବୋଲିଣ ମୋତେ ଜାଣି,

ପିତୃ−ଋଷି−ବଚନ ଲଙ୍ଗିଣ

କରନ୍ତା ଗ୍ରହଣ ମୋର ପାଣି ।

ରୂପଗୁଣମୁଗ୍‌ଧା ଗାଜବାଳା

ତେଜି ଇନ୍ଦ୍ର ଆଦି ଦେବଗଣ

ନିମନ୍ତ୍ରିତ ଲକ୍ଷ ନରପତି

ମଧ୍ୟେ ମୋତେ କରନ୍ତା ବରଣ ।

କର୍ମଦୋଷେ ହୋଇ ବନବାସୀ

ସଙ୍ଗିନୀକୁ ମୁଁ ଦାରୁଣ ହୃଦୟେ

ଘୋରବନେ ଏକା ପଳାୟନ ।

 

କର୍ମଦୋଷେ କାଟି ଘୋଡ଼ାଘାସ

ଯାପୁଥାନ୍ତି କୁତ୍ସିତ ଜୀବନ,

ନାନାଦି କୌଶଳେ ରାଜବାଳା

ଖୋଜିନେଇ ଘଟାନ୍ତା ମିଳନ ।

ଚିତ୍ରକୂଟ ଦୀର୍ଘ−ବନବାସୀ

ହୁଅନ୍ତି ମୁଁ ସୋଦର ସହିତ,

କପଟ ଭର୍ତ୍ସନା କରି ସ୍ନେହେ

ସେବୁଥାନ୍ତା ପଦ ପ୍ରାଣମିତ ।

ସତ୍ୟ−ନିଷ୍ଠା ମର୍ଯ୍ୟାଦା ବୁଝିଣ

ମନେ ମନେ ଥାଆନ୍ତି ସନ୍ତୁଷ୍ଟ,

ହାସ୍ୟମୁଖେ ଉଜଳି କୁଟୀର

ବ୍ୟାଜଭରେ ହେଉଥାନ୍ତା ରୁଷ୍ଟ ।

ପିତୃ−ସତ୍ୟ ପାଳି ବନେ ଯାନ୍ତି,

ସଙ୍ଗେ ପ୍ରିୟା କରନ୍ତା ଗମନ,

ମମ ଗୁଣମୁଗ୍‌ଧା ରାଜସୁତା

ବନ କଷ୍ଟ ନ ଧରନ୍ତା ମନ ।

 

ଘୋଷିଲେହେଁ ତାହାର କଳଙ୍କ

ସାଧାରଣ ସଂସାର ଜନତା

ତାଙ୍କ କାର୍ଯ୍ୟେ ତାଙ୍କ କଥା ରଖି

ବୁଝିଥାନ୍ତି ତାର ନିର୍ଦୋଷତା ।

ସେ ମୋତେ ଜାଣନ୍ତା ମୁଁ ତାହାକୁ,

ଦୁହେଁ ବୁଝି ପରସ୍ପର ମନ

ନିଃସ୍ୱାର୍ଥ ଭାବରେ ଦୂରେ ରହି

କରୁଥାନ୍ତୁଁ ସ୍ୱଧର୍ମ ପାଳନ ।

ମୋର ସତ୍ୟ ନିଷ୍ଠା ନ୍ୟାୟ ବୁଦ୍ଧି

ଧ୍ରୁବ ଜାଣି ମଦଗତମନା

ମୋ ହସ୍ତେ ଦାରୁଣ ଦଣ୍ଡପାଇ

ନ ରୁଷନ୍ତା ନୃପତି−ଦୁଲଣା ।

 

ବନେ ପରିତ୍ୟକ୍ତା ଏକାକିନୀ

ସ୍ୱଧର୍ମ ନିରତା ମହାସତୀ

ମୋ ନାମ କରୁଥାନ୍ତା ଜପ,

ରହିଥାନ୍ତି ତା ପାଇଁ ମୁଁ ଯତି ।

ସ୍ୱଧର୍ମ ସ୍ୱଦେଶପାଇଁ ପ୍ରାଣ

କରନ୍ତି ମୁଁ ସାହସେ ଅର୍ପଣ,

ହସିଣ ସେ ଦିଅନ୍ତା ମେଲାଣି,

ନୀରବରେ ପୋଛନ୍ତା ନୟନ ।

 

ବିପତ୍ନୀକର ଅନୁଶୋଚନା

(ଜଣେ ବିପତ୍ନୀକ ବନ୍ଧୁଙ୍କ ଅନୁରୋଧରେ ରଚିତ)

 

ମାଣିକ ଦୀପ ଜଳୁଥିଲା ମୋ ଘରେ,

ନିୟତି−ବାତେ ନିଭିଗଲା ସେ ଖରେ ।

ରାବୁଥିଲା ଶାରିକା ମୋର ପ୍ରାଙ୍ଗଣେ,

କାଳ−ମାର୍ଜାର ଆସି ଝାମ୍ପିଲା କ୍ଷଣେ ।

 

ତଟିନୀ ବକ୍ଷେ ଫୁଟିଥିଲା ପୁଷ୍କର,

ଭସାଇ ନେଲା କାଳ−ସ୍ରୋତ ପ୍ରଖର ।

ହସୁଥିଲା କୁସୁମ ମୋ ଉପବନେ,

ଝଡ଼ି ପଡ଼ିଲା କାଳ−ପବନେ ।

ବରଷୁଥିଲା ବିଧୁ ସୁଧା−ଆସାର,

ଗ୍ରାସିଲା କାହୁଁ ଆସି କାଳ−ଅନ୍ଧାର

ମୋହୁଥିଲେ ଜାନକୀ ଶ୍ରୀରାମ ମନ,

ହରିଲା କାହୁଁ ଆସି କାଳ−ରାବଣ ।

କଠୋର ତରୁ ଅଙ୍ଗେ ଚାରୁବଲ୍ଲରୀ,

ଲୋଟିଣ ଥିଲା ଶୋଭା ବିସ୍ତାର କରି ।

 

ଛିନ୍ନ ହୁଅନ୍ତେ ଲତା କାଳ−ପବନେ,

ନୀରସ ଶୁଷ୍କ ତରୁ ସଂସାର−ବନେ ।

କୁଟୀର ଦ୍ୱାରେ ମୋର ଖେଳିଲା ପରି,

ପ୍ରାଣୁ ଅଧିକ ମୋତେ ଥିଲା ସେ କରି ।

ସ୍ୱର୍ଗୀୟ ଶାନ୍ତି ଶୋଭା ବିସ୍ତାର କରି,

ସଂସାର ତାପ ନେଉଥିଲା ମୋ ହରି ।

ଜୀବନ ପଥେ ଏକ ନବ ଯୁବତୀ

କାହୁଁ ଆସିଣ ହସ୍ତ ଧରିଲା ସତୀ ।

ମୋ ଘରେ ପ୍ରେମ−ପ୍ରଭା କରି ବିସ୍ତାର,

ଆଲୋକି ଥିଲା ମୋର କ୍ଷୁଦ୍ର ସଂସାର ।

ଯାଇଥିଲି ମୁଁ ଛାଡ଼ି ବିଦେଶେ ଥରେ,

ଆସି ଦେଖିଲି ସେ ଯେ ନାହିଁ ମୋ ଘରେ ।

ନ କହି ଯାଇଥିଲି ସଖି ! ପ୍ରବାସ,

ସେଥିପାଇଁ କି କରିଗଲ ନିରାଶ ?

ଜାଣି ତ ଥିଲ ଦଗ୍‌ଧ ଉଦର ପାଇଁ

ଭ୍ରମଇଁ ଏ ପରାଣୀ ବିବିଧ ଠାଇଁ ।

 

ଜାଣଇଁ କାଳବଳେ କଲ ଗମନ,

କିପାଇଁ ବୁଝୁନାହିଁ ତଥାପି ମନ ।

ଶୁଣିଛି ଗଲାବେଳେ ମୋର ଦର୍ଶନେ

ଲୋଡ଼ିଣ ଥିଲ ବ୍ୟାକୁଳିତ ବଚନେ ।

ଦେଇ ଥାଆନ୍ତି ହେଲେ ଶେଷ ମେଲାଣି,

କହିଥାଆନ୍ତି ପ୍ରାଣ ବ୍ୟାକୁଳ ବାଣୀ ।

ଦେଖି ଯାଇ ଥାଆନ୍ତ ବିଚ୍ଛେଦ−ଭୟ

କେସନ ବ୍ୟାକୁଳିତ କରେ ହୃଦୟ ।

ମାଗି ଥାଆନ୍ତି କ୍ଷମା ସର୍ବ ଦୋଷର,

ପଚାରି ଥାନ୍ତି ଲକ୍ଷ୍ୟ ମୋ ଜୀବନର ।

ପ୍ରତି କଥାରେ ଦେଉଥିଲ ମନ୍ତ୍ରଣା,

ତବ ବିଚ୍ଛେଦେ ଏବେ ମୁଁ ବାଟବଣା ।

 

ପଚାରି ଥାନ୍ତି ବାରେ ଅଧମ ଦୀନ

ତୁମ୍ଭ ବିନା କେସନ କାଟିବି ଦିନ ?

ଶେଷ ବିଦାୟ−ସ୍ମୃତି ହୃଦରେ ଧରି,

ଯପି ଥାଆନ୍ତି ଯପ−ମାଳିକା ପରି ।

ସେ ସୁଖୁଁ କ୍ରୂର କାଳ କଲା ବଞ୍ଚିତ,

ଭାଳି ସେ କଥା ଘାଣ୍ଟି ହେଉଛି ଚିତ୍ତ ।

କରିଥିଲେହେଁ ଯତ୍ନ ସ୍ୱଜନଗଣ,

ତଥାପି ନ ମାନଇ ଏ ମୋର ମନ ।

କରିଥାଆନ୍ତି ହେଲେ ନିଜେ ଯତନ,

ପାଇ ଥାଆନ୍ତ କାଳେ ସଖି ! ଜୀବନ ।

କି ଛାର ଅର୍ଥ ପାଇଁ ଗଲି ବିଦେଶେ,

ହରାଇ ବସିଲି କି ରତନ ଶେଷେ ।

କରିଗଲ ଏକାକୀ କେଉଁ ଦୋଷରେ,

କେଉଁ ପ୍ରାଣରେ ଗଲ ନକହି ଥରେ ।

ହେଉଅଛି ମୁଁ ଦେବି, ଏତେ ବିକଳ,

ଝରୁଛି ତୁମ୍ଭ ଲାଗି ନୟନୁ ଜଳ,

 

 

ତଥାପି ଦେବି, କିପାଁ ଦାରୁଣମନା

ଦେଉନାହିଁ ଦୁଃଖୀକୁ ସୁପ୍ରବୋଧନା ?

ଜାଣଇଁ ଯେ ଦେଶକୁ ଅଛ ଗୋ ଯାଇ,

ସେ ଦେଶୁଁ ପ୍ରାଣୀ ଆଉ ଫେରଇ ନାହିଁ ।

ତଥାପି ନ ବୁଝଇ ଅବୋଧ ମନ,

ନିରତେ ଝରେ ସଖି, ବେନି ନୟନ ।

ନରର ସୁଖ ଦୁଃଖ ସ୍ୱର୍ଗଲୋକରେ

ଆସଇ ନାହିଁ କି ରେ ପ୍ରିୟ ଗୋଚରେ ?

ଏତେ ପ୍ରଣୟ ଥିଲା ଯାହା ସଙ୍ଗତେ,

କ୍ଷଣକେ ବିସ୍ମୃତ ସେ ହେଲା କି ସତେ !

ଏ ଯେ ଦାରୁଣ କଥା ନୁହେ ବିଶ୍ୱାସ,

ଦିବ୍ୟ ପ୍ରଣୟ ହୋଇପାରେ କି ନାଶ !

 

ଶୁଣି ଅଛଇ ସାଧୁ−ଶସ୍ତ୍ର−ବଚନ,

ମାନବ ଆତ୍ମାର ଯେ ନାହିଁ ମରଣ ।

ଅଛ କି ତୁମ୍ଭେ କେଉଁ ଉଚ୍ଚ ଲୋକରେ ?

ପୂର୍ବ କଥା କି ମନେ ନ ପଡ଼େ ଥରେ ?

ଅଥବା ଜାଣି ଧରା ଜନର ଶୋକେ

ଦୁଃଖିତ ନୁହେ ମୁକ୍ତ ଆତ୍ମା ସ୍ୱର୍ଲୋକେ ।

ନୁହଇ ଏ କଥା ତ ପ୍ରଣୟ ରୀତି,

ତେଣୁ ଦାରୁଣ କଥା ନୋହେ ପ୍ରତୀତି ।

ଦେଖି ମୋ ଦୁଃଖ ତୁମ୍ଭେ ନୁହ ଦୁଃଖିତ,

ନ ମାନେ ଏ କଥାରେ ସଖି, ଏ ଚିତ୍ତ ।

ନିଶି ଦିନ ବ୍ୟାକୁଳ ମୁହିଁ ଯା ପାଇଁ,

ତାହା ମନରେ ଦୁଃଖ ଲବେ କି ନାହିଁ !

ନିରତେ ଝରୁଥିବା ନୟନ ଜଳେ

କେମନ୍ତେ ସଖି, ଦେଖୁଅଛ ଅଟଳେ ?

ବିଚ୍ଛେଦେ ହେବ ଯେବେ ଏତେ ଅନ୍ତର,

କିପାଇଁ ହେଲା ତେବେ ପର ନିଜର ।

 

ପ୍ରଣୟ ପରିଣାମ ଯେବେ ଏସନ,

କିମ୍ପା ପ୍ରଣୟ ତେବେ ହେଲା ସର୍ଜନ ?

ଖସି ପଡ଼ିବ ଘନ ଧରାରେ ଯେବେ,

କିମ୍ପା ଚପଳା−କୋଳେ ଖେଳଇ ତେବେ ?

ଚାହୁଁ ଚାହୁଁ ଯେବେ ରେ ହେବ ବିନାଶ,

କିପାଇଁ ଫୁଟେ ଫୁଲ, ଚହଟେ ବାସ !

ସଂସାରେ ସାର ଯେବେ ଜନ୍ମ ମରଣ

କିପାଇଁ ଦେଖେ ନର ପ୍ରୀତି−ସ୍ୱପନେ !

ଏତେ ଚଞ୍ଚଳେ ମଧୁ ସରିବ ଯେବେ,

କିପାଇଁ କୁହୁ ସ୍ୱନ ଶୁଭଇ ତେବେ !

ନବ ପଲ୍ଲବେ ନବ କୁସୁମ ରାଶି

କିପାଇଁ ହସେ ନବ ଶୋଭା ପ୍ରକାଶି ।

 

ଘୋଟିବ ଯେବେ ଘୋର ଅନ୍ଧାର ରାତି,

କିପାଇଁ ବିଭାସଇ ଭାନୁର ଭାତି !

ନିଶି ପରେ ଆସଇ ପୁଣି ବାସର,

ପୁଣି କି ହେବ ଭେଟ ତୁମ୍ଭ ମୋହର ?

କହନ୍ତି ଜ୍ଞାନୀ ପ୍ରୀତି ଅବିନଶ୍ୱର,

ହେବ କି ମେଳ ପୁଣି ତୁମ୍ଭ ମୋହର ?

ପୋଷିଣ ଏହି ଆଶା ଏ ଦଗ୍‌ଧ ପ୍ରାଣେ

କାଟିବ ନିଶି ଦିବା ତୁମ୍ଭରି ଧ୍ୟାନେ ।

ନାହିଁ ସିନା ଶରୀର ଆଉ ପାଶରେ,

ବସିଛ ରାଣୀ ହୃଦ−ସିଂହାସନରେ ।

ଭସ୍ମ ହୋଇଛି ଦେହ, ଶୋଭାର ରାଶି,

ଉଜ୍ଜ୍ୱଳ ଦିଶେ ତୁମ୍ଭ ସୁନ୍ଦର ଠାଣି ।

କିନ୍ତୁ ଦେଖିଲେ ସଖି, ଶୂନ୍ୟ ଭବନ

ଆକୁଳ ହୁଏ ମୋର ପରାଣ ମନ ।

ତବ ତ୍ୟକ୍ତ ଭୂଷଣ ତ୍ୟକ୍ତ ବସନ

ଦେଖି ବିଷାଦ−ନୀରେ ମଗନ ମନ ।

 

ଅର୍ଦ୍ଧ ଶୂନ୍ୟ−ଶଯ୍ୟାରେ ଶୋଇ ନିର୍ଜନେ

ବଳେ ଲୋତକ−ଧାରା ବହେ ନୟନେ ।

ଭୋଜନ ବେଳେ ସଖି, ତୁମ୍ଭ ବିଚ୍ଛେଦ

ପୂର୍ବସ୍ମୃତି ଜଗାଇ ଦିଅଇ ଖେଦ ।

ମୋର ଆହାରେ ଯେତେ କର ଯତନ,

ମନେ ପଡ଼ିଲେ ହୃଦ ହୁଏ କର୍ତ୍ତନ ।

ଜାଗ୍ରତେ ତବ ସ୍ମୃତି ସ୍ୱପ୍ନ ଶୟନେ,

ଯାଇ ରହିଛି ବ୍ୟାପି ଏ ମୋ ଜୀବନେ ।

ଦିନେ ତୁମ୍ଭରି କଥା କରି ଭାଳେଣୀ

ତିନ୍ତିଲା ଶଯ୍ୟା ଫୁଲି ନୟନ ବେନି

ଶାନ୍ତିରେ ନିଦ୍ରା ଆସୁଁ ଦେଖେଁ ସ୍ୱପନ,

ମଞ୍ଚାଳି ଦେଉଅଛ ମୋର ଚରଣ ।

 

 

ଦୂରତ୍ୱେ ଦୁଃଖ ହେଲା ଡାକିଲି ପାଶ,

ଭାଙ୍ଗି ଯାଆନ୍ତେ ନିଦ୍ରା ହେଲି ନିରାଶ ।

ସେ ଯେ ଯାତନା ହେଲା ଦୁଃଖିର ପ୍ରାଣେ,

ଅନ୍ତର୍ଯ୍ୟାମିଙ୍କ ବିନା ଆନ କେ ଜାଣେ ?

ବିଷୟେ ଆଉ ମନ ପ୍ରବେଶେ ନାହିଁ,

ମାୟାରେ ଘାଣ୍ଟି ହେବି ଆଉ କିମ୍ପାଇଁ !

ବିଳାସ କୋଳାହଳେ ନାହିଁ ମାନସ,

ଲୋଡ଼ଇ ନାହିଁ ମନ ସମ୍ପଦ ଯଶ ।

ତୋ ଲାଗି ପ୍ରିୟେ ଯଶ, ତୋ ଲାଗି ଧନ,

ଏକାକୀ ସମ୍ଭୋଗରେ ଅତୃପ୍ତ ମନ ।

ବିଅର୍ଥ ତୁମ୍ଭ ବିନା ଜୀବନ ମୋର,

ଘୋଟି ଆସୁଛି ଜରା−ବିଷାଦ ଘୋର ।

ରୋଗ ଶୋକରେ ଶାନ୍ତି ପ୍ରାଣର ସହି,

ଯାଇଛି ପ୍ରାଣ, ଜଡ଼ ପଡ଼ିଛି ରହି ।

ଶୂନ୍ୟ ଜୀବନ ମମ, ଶୂନ୍ୟ ଭବନ,

ନୀରସ ଏ ସଂସାର, ଭଗ୍ନ ଏ ମନ ।

 

କିଛିହିଁ ଆଉ ଭଲ ଲାଗଇ ନାହିଁ,

ଜୀବନର ଆଲୋକ ଗଲା ମୋ କାହିଁ ?

ହେ ପ୍ରଭୁ, ଦେଇଥିଲ ପ୍ରଣୟ−ରତ୍ନ ।

ହୃଦୟେ ମଣ୍ଡିଥିଲି କରିଣ ଯତ୍ନ ।

ମୋ ଗଳା−ମାଳା ଏବେ କଲ ହରଣ,

ରଖିଛ କିମ୍ପା ଏହି ଅର୍ଦ୍ଧ ଜୀବନ

କି ସୁଖ ଅଛି ଆଉ ଘୋର ସଂସାର,

ଗଲା ଆଲୋକ, ଏ ଯେ ଘୋର ଅନ୍ଧାର ।

କିମ୍ପାଇଁ ରଖିଅଛ ଆଉ ଏ ପ୍ରାଣ,

ହେ ଇଚ୍ଛାମୟ ! ତାହା ତୁମ୍ଭେ ଟି ଜାଣ ।

ନେଲ ପ୍ରଣୟ−ପାତ୍ର ଯେବେ ହେ ହରି,

ଦିଅ ଏ ଦଗ୍‌ଧ ପ୍ରାଣ ଶୀତଳ କରି,

 

ସିଞ୍ଚ ସାନ୍ତ୍ୱନା−ନୀର ଏ ଦଗ୍‌ଧ ପ୍ରାଣେ,

ନିବାର ତାପ ଶାନ୍ତି−ଅମୃତ ଦାନେ ।

କାଳ−ବାଣାଘାତରେ ପ୍ରାଣ−ହରିଣ

ବିକଳ ହେଉଅଛି, ତା କଣ୍ଠ ଛିନ୍ନ ।

ଦିଅ ଶାନ୍ତି−ଔଷଧ ହେ ଭଗବାନ,

ନତୁବା ନିଅ−ଦଗ୍‌ଧ−ଏଣ−ପରାଣ ।

ଯାଇଛି ଚାଲି ପ୍ରେମାସ୍ପଦ ମୋହର,

ଦେଖା ସେ ମଧୁ ମୂର୍ତ୍ତି ସାରା ବିଶ୍ୱର ।

ସକଳ ପ୍ରଣୟର ତୁମ୍ଭେ ଆଧାର,

ସୃଷ୍ଟି ପିନ୍ଧିଛି ତୁମ ପ୍ରଣୟ ହାର,

ତୁମ୍ଭରି ଚନ୍ଦ୍ର ସୂର୍ଯ୍ୟ ତୁମ୍ଭରି ଧରା,

ପବିତ୍ର ପ୍ରେମେ ଅଛି ନିଅତ ଭରା ।

ନଦୀ ପର୍ବତ ବନ ଗିରି କନ୍ଦର

ନିଭୃତ ପ୍ରୀତିରସମୟ, ଈଶ୍ୱର ।

ସୁଶ୍ୟାମଳ କେଦାର ଶୁଭ୍ର ନର୍ଝର

ଗମ୍ଭୀରନାଦୀ ସିନ୍ଧୁ ହୃଦ ଗହ୍ୱର ।

ସୀମାହୀନ ଗଗନ କିବା ସୁନ୍ଦର ।

 

ବିହଙ୍ଗ କଳତାନ ବିଚିତ୍ର ଗୀତ

ଦିବା ନିଶି ପ୍ରଭୁ ହେ ହରଇ ଚିତ୍ତ ।

ବିକଚ କୁସୁମର ପବିତ୍ର ପ୍ରଭା

ନୀଳାକାଶେ ଯେସନ ତାରକା−ସଭା ।

ତରୁବଲ୍ଲରୀ ପଶୁ ବିହଙ୍ଗ ସୃଷ୍ଟି

ଆକର୍ଷୁ ମୋର ଶୁଷ୍କ ମାନସ−ଦୃଷ୍ଟି ।

ମାନବ ସମାଜର ଚିତ୍ର ଜୀବନେ

ନିବେଶେଁ ଆହେ ପ୍ରଭୋ ! ଏ ଭଗ୍ନ ମନେ ।

ଏବେ ଆବଦ୍ଧ ଥିଲା ଏ ମୋ ଜୀବନ,

ଆଲିଙ୍ଗନ କରୁ ସେ ବିଶ୍ୱ ଭୁବନ ।

 

ରୋଗୀ ଦୁଃଖୀ ଆତୁର ପାତକୀ ଜନ

ସେବାରେ ନିୟୋଜିତ ହେଉ ଜୀବନ ।

ସ୍ୱଜନ କୁଟୁମ୍ବଙ୍କ ସକଳ ଦୁଃଖ

ହରି ହେ ହରି ! ହେଉ ମୋହର ସୁଖ ।

ସ୍ୱଦେଶ ସ୍ୱଜାତିର ସେବା ସୁବ୍ରତ

ପାଳନ କରି ପ୍ରାଣ ହେଉ ମହତ ।

ପରାର୍ଥେ ପୁଣ୍ୟ ବ୍ରତ କରି ଗ୍ରହଣ

ସ୍ୱାର୍ଥକୁ ଜଳାଞ୍ଜଳି କରେଁ ଅର୍ପଣ ।

ପରାର୍ଥେ ହେଉ ସାର୍ଥ, ପରୋପକାର,

କରିଣ ହୃଦେ ହେଉ ମୁଦ ଅପାର ।

ଚଉପାଶେ ପ୍ରେୟସୀ−ମୂର୍ତ୍ତି ଦିଶଇ,

ପରାର୍ଥ−ପଥ ମୋତେ ଦିଏ ସେ କହି ।

ପ୍ରଭୁ ହେ, ତୁମ୍ଭ ଇଚ୍ଛା ଏ ମୋ ଜୀବନ

ଜ୍ଞାତସାରରେ ସଦା କରୁ ପାଳନ ।

ତୁମ୍ଭରି ଇଚ୍ଛା ବଳେ ମୁଁ ଦୂରେ ଗଲି,

ଅମୂଲ୍ୟ ରତ୍ନ ହରାଇଣ ବସିଲି ।

ହେ କର୍ତ୍ତବ୍ୟ, ତୁହି ତ ହେଲୁ ମୋ ବାମ,

ତୁହି ମୋ ଧର୍ମ ଅର୍ଥ ତୁହି ମୋ କାମ ।

 

କର୍ମରୂପୀ ବିଧାତା ବଜ୍ର−କଠୋର,

ଉତ୍ସର୍ଗିଲି ପୟରେ ସର୍ବସ୍ୱ ମୋର ।

ଯାଅ ପ୍ରଣୟ ଏବେ ବିଦାୟ ନିଅ,

ରହୁ ନୀରସ କର୍ମ, ଯାଅ ହେ ପ୍ରିୟ ।

ନିଦାରୁଣ ଶ୍ମଶାନ ଏ ମୋ ଜୀବନ,

କରିବଇଁ ଏଥି ମୁଁ ତପ ସାଧନ ।

ଜଳଇ କର୍ମ−ଯଜ୍ଞ−ଅନଳ ଘୋର,

ନିହିବି ଆଜ୍ୟରୂପେ ବାସନା ମୋର ।

କର୍ତ୍ତବ୍ୟ ! ଦେଖିଥିଲି ଜୀବନେ ଥରେ

ପ୍ରାଣେଶ୍ୱରୀର ସେବା ଭୋଗରୂପରେ ।

ଶିଖାଇଛନ୍ତି ସତୀ କର୍ମ−ସାଧନ,

ପରାର୍ଥେ କରି ସର୍ବ ସୁଖ ଅର୍ପଣ ।

 

 

ପରୋପକାରେ ଥିଲା ତାହାଙ୍କ ସୁଖ,

ଭ୍ରମି ସେ ପଥେ ପାଶୋରିବଇଁ ଦୁଃଖ ।

ମୋର ସେବାରେ ସତୀ କାଟି ଜୀବନ

କରାଇଛନ୍ତି ମୋତେ ପଥ−ଦର୍ଶନ ।

ଧରି ପ୍ରଶାନ୍ତ ସୁବିଷଣ୍ଣ ମୂରତି

ପରୋପକାର ବ୍ରତେ ହେବାକୁ ବ୍ରତୀ ।

ପାଳେଁ କର୍ତ୍ତବ୍ୟ, ଯାଅ ଯାଅ ପ୍ରଣୟ,

ହେଉ ଏ ସୃଷ୍ଟିଶୁଷ୍କ ବୈରାଗ୍ୟମୟ ।

ନାହାନ୍ତି ସତୀ, ନାହିଁ ପୀରତି ଆଉ,

କର୍ମ ସାଧନେ ଶୁଷ୍କ ଜୀବନ ଯାଉ ।

ସଂସାର ନୁହେ ଚିର, ସଂସାର ସୁଖ

ପଛରେ ଲୁକ୍‌କାୟିତ ଦାରୁଣ ଦୁଃଖ ।

ପଥିକ ଆଶ୍ରା ପାନ୍ଥଶାଳା ଏ ଭବ,

ବିସୋରି ନର ଏଥି ଲୋଡ଼େ ବିଭବ ।

ପ୍ରିୟଜନେ ବିୟୋଗ ଦେଲା ଯେ ଶିକ୍ଷା,

ମାନିବି ମୁହିଁ ଯେହ୍ନେ ସଦ୍‌ଗୁରୁ−ଦୀକ୍ଷା ।

ଗଲା ସଜନୀ, ଯିବି ମୁହିଁ ସେ ଠାବେ,

ଯାଉ କେତେକ ଦିନ ନିଷ୍କାମ ଭାବେ ।

 

 

ଲୋଡ଼େ ଯେ ଏ ସଂସାରେ ଶାଶ୍ୱତ ଶାନ୍ତି,

ଭାଙ୍ଗିବ ଦିନେ ତାର ବିଷମ ଭ୍ରାନ୍ତି ।

ସଂସାରେ ନାହିଁ ନାହିଁ ଶାଶ୍ୱତ ସୁଖ,

ନୁହେ ପ୍ରାଣୀର ଲକ୍ଷ୍ୟ ସୁଖ କି ଦୁଃଖ ।

ଦୁଃଖ ସୁଖ ମଧ୍ୟରେ କର୍ତ୍ତବ୍ୟ କର୍ମ

ସାଧିବା ମାନବର ଶାଶ୍ୱତ ଧର୍ମ ।

ପ୍ରଭୁଙ୍କ ଇଚ୍ଛା ପାଳି ନିଷ୍କାମ ଭାବେ

ତରୁ ଭବାବ୍‌ଧି ନର କର୍ତ୍ତବ୍ୟ−ନାବେ ।

ଏ ମହାଜ୍ଞାନ ହେଲା ପ୍ରିୟବିୟୋଗେ,

ଚିରଦିନ ନ ଯାଏ ସୁଖ ସମ୍ଭୋଗେ ।