Unknown

ସୀତା-ବନବାସ

ନନ୍ଦକିଶୋର ବଳ

 

ମୁଖବନ୍ଧ

Imageଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତି—ଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :—

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?” (ରାଓଙ୍କ ସ୍ମୃତି—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃଷ୍ଠା ୧୧୧୮−୧୯)

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା । ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ—

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

ପୁଣି:—

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

 

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’—ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି—କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ । ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’—ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:—

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’—

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନ ଥାଏ । ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନ ଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :—

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।” (ଭାରତର ଭବିଷ୍ୟତ୍ ଭାଷା—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃ ୧୦୩୭−୩୮)

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା—ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି ? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

 

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇ ନ ଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Rennaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ । ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ । ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ । ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନ ଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ । ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪।୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ । ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତନ୍ତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇ ଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

 

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି– “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ– “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ । ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟରପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । *ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

*ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି–ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ । ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ–ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରି ନ ଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା ।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ–

“ହେ ଈଶ୍ୱର, ହର ମୋର ସର୍ବ ଅଧୀନତ,

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା ।”

କୁସୁପୁର

 

 

 

 

ତା ୨୫ । ୪ । ୧୯୫୫

 

 

 

ଶ୍ରୀ ସୂର୍ଯ୍ୟମଣି ଜେନା

 

ପ୍ରଥମ ସର୍ଗ

ସରସ୍ୱତୀ-ଆବାହନ

ସରଯୂ ତଟିନୀ ତଟେ ଅଯୋଧ୍ୟାନଗରୀ,

ସୁରଧୁନିତୀରେ ଯେହ୍ନେ ସ୍ୱର୍ଗବିଦ୍ୟାଧାରୀ,

ଅଯୋଧ୍ୟା ନଗରୀ ଧନ୍ୟା ଯୋଧେନ୍ଦ୍ରଜନନୀ,

ଯା ଯଶ ଆନନ୍ଦେ ଗାଏ ନିଖିଳ ଅବନୀ;

ଜଗତ–ନୟନ–ଭାନୁ–ସୁପବିତ୍ର–ବଂଶ

ଇକ୍ଷ୍ୱାକୁ ମାନ୍ଧାତା ମନୁ ଯାର ଅବତଂସ;

ମୃତ୍ୟୁଞ୍ଜୟ ଦିଲୀପ ଯେ ରଘୁ ଦିଗ୍‌ବିଜୟୀ,

ଅପ୍‌ସରାମୋହନ ଅଜ ଜନ୍ମିଥିଲେ ଯହିଁ;

ପ୍ରକୃତିରଞ୍ଜନେ ସାର୍ଥ ପୂତ ରାଜା ନାମ,

ପ୍ରକୃତିରଞ୍ଜନେ ସାର୍ଥ ପୂତ ରାଜା ନାମ,

ଅପୂର୍ବ ଆଦର୍ଶ ଯାର ରଘୁପତି ରାମ;

ପ୍ରଜାହିତ ଅର୍ଥେ ପତ୍ନୀ–ବନନିର୍ବାସନ

ନାହିଁ ପଟାନ୍ତର ଯାର ନିଖିଳ ଭୁବନ;

 

ଆଦିକବି ରଚିତ ସେ ମଧୁ ରାମାୟଣ

ଏ ସାରା ସଂସାରେ ଯାହା ଅମୂଲ୍ୟ ରତନ;

କେତେ କବି କବୀନ୍ଦ୍ର ଯେ ମଧୁ ବୀଣାସ୍ୱନେ,

ଗାଇଗଲେ ମଧୁଗାଥା; ମଧୂ ପାରବଣେ

ମଧୁର ଶୈଶବକାଳେ ଯେ ଗୀତ ଶ୍ରବଣେ

ବହୁଥିଲା ବାରିଧାରା ମୋ ଶିଶୁ ନୟନେ;

ସରଳ ଭାଷାରେ ଆଜି ଗାଇବି ସେ ଗୀତ,

ଶୁଣି ଯାହା ତୃପ୍ତ ହେବ ଭାବୁକଙ୍କ ଚିତ୍ତ ।

ବନ୍ଦେ ବାଣୀ ବରଦେ ଗୋ ଭୁବନମୋହିନି,

ଜଗତପାବନି ମୃତ୍ୟୁଭୟବିନାଶିନି !

ହୃଦସଦ୍ମେ ଆଣି ଦିଅ କଳ୍ପନା ସମ୍ପଦ,

କଣ୍ଠେ ବସି ମାଗୋ ମୋତେ କହିଦିଅ ପଦ ।

 

ଦ୍ୱିତୀୟ ସର୍ଗ

ରାମରାଜ୍ୟ

ଚତୁର୍ଦ୍ଦଶ ବର୍ଷ ରାମ ସମାପ କାନନେ

ବ୍ରତ ଅନ୍ତେ ପ୍ରତ୍ୟାଗତ ଅଯୋଧ୍ୟାଭବନେ,

ସୀତା ସହ ସାକେତର ରାଜସିଂହାସନ

ବିହିତ ବିଧାନେ ରାମ କଲେ ଆରୋହଣ ।

ତିନି ଭାଇ ସଙ୍ଗେ ସଭାଗତ ରାମ ରାୟେ

ସାମ ଦାନ ଭେଦ ଦଣ୍ଡ ଉପାୟ ପରାଏ ।

ରାଜ୍ୟର ବିବିଧ ହିତେ ନିୟୋଜିତ ମତି

ଶାନ୍ତିସୁଖେ ପାଳି ପ୍ରଜା ଅଯୋଧ୍ୟା ନୃପତି ।

ଶ୍ରୀରାମ ଚରିତ୍ରେ ଭୀମ–କାନ୍ତ ଗୁଣାବେଶ,

ଦୁଷ୍ଟ–ଅରି ଶିଷ୍ଟ–ମିତ୍ର ଧର୍ମାତ୍ମା ନରେଶ ।

ପାପୀ ପ୍ରତି ଦୟା ପୁଣି ନ୍ୟାୟ ପାପ ପ୍ରତି

ବିହିଣ ପାଳନ୍ତି ପ୍ରଜା ନୀତିଜ୍ଞ ନୃପତି ।

 

ପ୍ରବୀଣ ନରେଶ ନିୟୋଜିଣ ଗୁପ୍ତଚର

ବୁଝୁଥାନ୍ତି ଦୁଃଖ ସୁଖ ପ୍ରକୃତିପୁଞ୍ଜର ।

ଅସ୍ତ୍ରଶସ୍ତ୍ର ବେଦବିଦ୍ୟା ହୁଏ ଆଲୋଚନା,

ଜ୍ଞାନ ପାଇଁ ଜ୍ଞାନୀ କରେ ଜ୍ଞାନ ଆରୋଧନା ।

ସପ୍ତାଙ୍ଗ ସାମ୍ରାଜ୍ୟ ତାଙ୍କ ଲଭେ ସମୁନ୍ନତି,

ରଘୁରାଜ୍ୟଲକ୍ଷ୍ମୀ ଏବେ ଷୋଳକଳାବତୀ ।

ରତ୍ନଗର୍ଭା ବସୁନ୍ଧରା ବହୁ ଶସ୍ୟବତୀ,

ଧେନୁଗଣ ରାମରାଜ୍ୟେ ବହୁ ଦୁଗ୍‌ଧବତୀ ।

ମୃଦୁ ମନ୍ଦ ପ୍ରବାହିତ ଶୀତଳ ପବନ

ପତ୍ର ପୁଷ୍ପ ଫଳେ ତରୁଲତା ବିମଣ୍ଡନ ।

ଦୁର୍ଭିକ୍ଷ ଅକାଳମୃତ୍ୟୁ ଦୁଃଖଶୋକମାନ

ନିର୍ଲୋଭ ଶୋକାଘ୍ନ ରାମ–ରାଜ୍ୟଁ ଅନ୍ତର୍ଦ୍ଧାନ ।

 

ତସ୍କର ପାତକୀ ରାମ–ସୁଶାସିତ ଦେଶେ

ରହିଲେ,ଶବଦ ମାତ୍ର ହୋଇ ଅବଶେଷେ

ଅଳଙ୍କାର ରୂପେ ରାମ–ସେନା ସୁରକ୍ଷିତ,

କେବଳ ପ୍ରଭାବେ ହୁଏ ରାଜ୍ୟ ସୁଶାସିତ ।

ସାମନ୍ତ ସ୍ୱରୂପେ ସର୍ବ ସ୍ୱାଧୀନ ନୃପତି

ରାମ ପୂତପଦ ତଳେ ଅର୍ପିଲେ ଭକତି ।

ସଂଯମୀ ନୃପତି ରାଜ୍ୟାଶ୍ରମ ଋଷିରୂପେ

ସମ୍ପାଦନ୍ତି ରାଜକାର୍ଯ୍ୟ ତପସ୍ୟା ସ୍ୱରୂପେ ।

ଅନ୍ତର୍ଯ୍ୟାମୀରୂପେ ହୋଇ ଅସଂଖ୍ୟ ମୂରତି

ଜାଣନ୍ତି ହୃଦ୍‌ଗତ ଭାବ ନୀତିଜ୍ଞ ନୃପତି ।

ମହତୀ ଦେବତାରୂପେ ଲଭନ୍ତି ଗରିମା,

ଆସମୁଦ୍ର ବିଘୋଷିତ ଶ୍ରୀରାମ–ମହିମା ।

‘ବିଶ୍ୱାମିତ୍ର ସହ ଯାତ୍ରା, ଅହଲ୍ୟା–ପ୍ରସଙ୍ଗ

ତାଡ଼କା ସୁବାହୁ ବଧ, ହର ଧନୁର୍ଭଙ୍ଗ,

ପିତୃସତ୍ୟ ପାଳନାର୍ଥ ଦୀର୍ଘ ବନବାସ,

କାନନେ ତ୍ରିଶିରା ଖର–ଦୂଷଣ ବିନାଶ,

 

କିସ୍କିନ୍ଧ୍ୟାର ମହାବଳ ବାଳି ବିନାଶନ,

ସର୍ବଶେ ରାବଣ ବଧ, ସୀତା ଉଦ୍ଧାରଣ’—

ଲୋକୋତ୍ତର କୀର୍ତ୍ତିରାଜି ହେଉଁ ପ୍ରଚାରିତ,

ଦିଶି ଦିଶି ହୋଇଗଲା ତାହା ବିଘୋଷିତ ।

ଲତା ଦୋଳାସନେ ବସି ବନଦେବୀଗଣ

ଘନବନେ ରାମନାମ କରନ୍ତି ଗାୟନ ।

ଗିରିଗୁହା ପ୍ରତିଧ୍ୱନି ପର୍ବତକନ୍ଦରେ

ପ୍ରଭଞ୍ଜନ ରାମନାମ ଗାଏ ଉଚ୍ଚସ୍ୱରେ ।

ଜଳଦେବୀ ଖେଳି ସିନ୍ଧୁ–ଊର୍ମି ତାଳେ ତାଳେ,

ତରଙ୍ଗିଣୀ କୋଳେ ଢଳି ଢଳି ବୀଚିମାଳେ,

ଗାଏ ରାମନାମ ଗୀତ ସୁନ୍ଦର ମୋହନ,

ସ୍ଥାବର ଜଙ୍ଗମ ପ୍ରିୟ ପ୍ରଶାନ୍ତ ପାବନ ।

 

ନାବ ବାହି ନାଉରୀଏ ଗାଆନ୍ତି ସେ ଗୀତ

ଗୋଗୋଷ୍ଠେ ଗୋପାଳ ଗାଈ ହରେ ଜନଚିତ୍ତ ।

ଗାଆନ୍ତି ପଥିକେ ତାହା କାନ୍ତାରେ ପ୍ରାନ୍ତରେ,

ପଳାନ୍ତି ଶ୍ୱାପଦେ ଶୁଣି ସଂନ୍ତ୍ରସ୍ତ ଅନ୍ତରେ ।

ବୁଲେ ଶିଶୁ ଗ୍ରାମଦାଣ୍ଡେ ରାମନାମ ଗାଇ,

ସେ ନାମେ ଦିଅନ୍ତି ଶିଶୁ ମାତାଏ ବୋଧାଇ ।

ପଥ ଓଗାଳନ୍ତେ ବୃକ୍ଷ ଅବା ବିଷଧର

ପାଇଯାନ୍ତି ମୁକ୍ତି ଜପି ସେ ନାମ ମନ୍ତର ।

ପ୍ରପୀଡ଼ିତ ହୁଏ ଯେବେ ଏକାନ୍ତ ଦୁର୍ବଳ

ଉଚ୍ଚାରନ୍ତେ ରାମ ନାମ ପରାସ୍ତ ସବଳ ।

ସତ୍ୟସନ୍ଧ ଶୁଦ୍ଧଚେତା ରାମ ପୁଣ୍ୟନାମ

ଧରିଣ ମୁମୂର୍ଷୁ ତେଜି ଯାନ୍ତି ଧରାଧାମ ।

 

ତୃତୀୟ ସର୍ଗ

ଶୁଦ୍ଧାନ୍ତ-ସୁଖ

(ରାଗ-ରାମକେରୀ)

ସଖୀ ସଙ୍ଗେ ସୀତା ଶୀତାଂଶୁମୁଖୀ ସାକେତପୁରେ

ବସି ବନବାସ–ବାରତା ବାହୁନନ୍ତି ମଧୁରେ ।

ଯୋଡ଼ି କର ପରିଚାରିକା ଆସି କହେ ବାରତା,

“ବିଜେ ହେବେ ପୁରେ ନୃପେନ୍ଦ୍ର ରଘୁକୁଳକରତା ।”

ଶୁଣି ଆଳୀବ୍ରଜ ରାଣୀଙ୍କ ପାଶୁଁ ହେଲେ ଅନ୍ତର,

ଭାନୁଉଦେ ଯଥା ପରାଚୀ–ପୁରୁଁ ତାରାନିକର ।

ପ୍ରଶାନ୍ତ ମୂରତି ଶ୍ରୀରାମ ସୁପ୍ରସନ୍ନ ଶ୍ରୀମୁଖ

ରାଜୀବନୟନା ଜାନକୀ ଚାହିଁ ଲଭନ୍ତି ସୁଖ;

ପ୍ରଶାନ୍ତ ସୁନୀଳ ଅମ୍ବରେ ଶୋଭାବତୀ ଧରଣୀ

ବିବକଚକୁସୁମ ଲୋଚନେ ନିରେଖଇ କି ଧନୀ ?

 

ଆସନ୍ତେ ପ୍ରାଣେଣ ପାଶକୁ ଉଠି ଆୟାସେ ସତୀ

କୋକନନ୍ଦ କରେ ନମନ୍ତି କାନ୍ତେ ଦୋହଦବତୀ ।

“ବସ, ବସ” ବୋଲି ଶ୍ରୀରାମ ଆସି କଲେ ବାରଣ,

ନିରେଖିଲେ ସ୍ନିଗଧନୟନେ ପ୍ରିୟା–ପଦ୍ମବଦନ ।

ଭାନୁକରେ ନବନଳିନୀ ଯେହ୍ନେ ଉଠଇ ହସି,

କାନ୍ତଦରଶନେ ତେସନ ହେଲେ ରାମ–ପ୍ରେୟସୀ ।

କୁଶଳ–ପ୍ରଶନ ପଚାରି ବସି ଅଯୋଧ୍ୟା–ରାଣ

କଉତୁକ–କଥ କହିଲେ ତୋଷି ପ୍ରେୟସୀ–ପ୍ରାଣ ।

ନବଘନ ପାଶେ ଯେସନ ଶୋହେ ତୋରା ଦାମିନୀ,

ରାମ ପାଶେ ତେହ୍ନେ ଶୋଭନ୍ତି ସୀତା ବରବର୍ଣ୍ଣିନୀ ।

ପ୍ରିୟାଙ୍କୁ ସେନେହେ ଶ୍ରୀରାମ ବୋଲୁଛନ୍ତି ବଚନ,

“କହ ଗୋ ପ୍ରେୟସି ! କି ଦ୍ରବ୍ୟେ ତବ ବଳୁଛି ମନ ?”

ଶୁଣି ତା ଜନକ–ତନୁକା–ଗଣ୍ଡ ଲଜ୍ଜା–ପାଟଳ,

ମଧୁ ଦରହାସେ ଜାନକୀ ଶିର ପୋତନ୍ତି ତଳ ।

କହନ୍ତି ଶ୍ରୀରାମ, “ସୁନ୍ଦରି !ଏତେ ଲଜ୍ଜା କିପାଇଁ,

ନାହିଁ ନାହିଁ, କର ଈଷତ ହସି ମୁହିଁ ହଲାଇ ।”

 

ବୋଲନ୍ତି ବୈଦେହୀ, “ଭୋପ୍ରଭୋ ! ନାହିଁ କାହିଁରେ ମନ,

ତୁମ୍ଭ ଶ୍ରୀଚରଣ ଚାହିଁଣ ଯାଉ ଏ ମୋ ଜୀବନ ।

ତୁମ୍ଭ କୋଳେ କୁଳନନ୍ଦନ ରଖି ହେ ରଘୁରାଣ,

ତୁମ୍ଭ ମୁଖ ଦେଖି ହେ ସ୍ୱାମି, ଯାଉ ଏ ଦାସୀ–ପ୍ରାଣ ।”

ପୋଛି ପ୍ରେମ–ଅଶ୍ରୁ ଶ୍ରୀରାମ ବେଲୁଛନ୍ତି ଆଦରେ,

‘କହ କହ ପ୍ରିୟେ ! ଶରଧା ତବ କେଉଁ ଦ୍ରବ୍ୟରେ ?

ଯେଡ଼େ ଦୁର୍ଲ୍ଲଭତା ହେଲେହେଁ ଆଣି ଦେବଇଁ ମୁହିଁ

କହ କହ ଫେଡ଼ି ମୋ ରାଣ ଚାରୁଚନ୍ଦ୍ରମାମୁହିଁ ।”

କହନ୍ତି ଜନକ ତନୁଜା, “ନାଥ ! ହେଉଛି ମନ,

ଋଷି–ତପୋବନ–ସୁଷମା କରନ୍ତେଇଁ ଦର୍ଶନ ।

ବନବାସକାଳେ ଭୋ ନାଥ ! ଦେଖିଥିଲଇଁ ଯାହା;

ପୁଣି କିପାଁ ମନ ହେଉଛି ଯାଇଁ ଦେଖନ୍ତେ ତାହା ।

 

ମୁନିକନ୍ୟାମାନେ ତଟିନୀତଟେ ବଢ଼ାଇ ସ୍ନାନ,

କରନ୍ତି ନୀବାର–ତଣ୍ଡୁଳ ମଧୁ–ଅର୍ଘ୍ୟ ପ୍ରଦାନ;

ଏକ–ହସ୍ତୁଁ ଆନ ଛଡ଼ାଇ କରୁଥାନ୍ତି ଭୋଜନ,

ହାସ୍ୟ–କଉତୁକ ତାଙ୍କର ଦରଶନେ ମୋ ମନ ।

ଗର୍ଭାଳସା ଏଣୀ ଆସିଣ ଖାଇ ତଣ୍ଡୁଳ ବଳେ

କରନ୍ତି ରୋମନ୍ଥ ଶୋଇଣ ତଟ–ବିଟପିତଳେ ।

ତରୁଶାଖେ ବସି ବିହଙ୍ଗେ ରାବୁଥାନ୍ତି ସୁସ୍ୱରେ,

ଉଡ଼ି ଆସି ବସି ଯାଆନ୍ତି ମୁନି–ତନୟା–କରେ ।

ତପୋବନ ହବିଃ–ସୌରଭେ ସଦା ସୁପ୍ରମୋହିତ,

ତରୁଶିର ଭେଦି ସମିଧ ଧୂମ ହୁଏ ଉତ୍‌ଥିତ ।

ପୁଣ୍ୟ ବେଦଗୀତେ ପବିତ୍ର ସଦା ସେ ତପୋବନ,

ଫଳ–ପୁଷ୍ପ ଭାରେ ଆନତ ତରୁ ବ୍ରତତୀଗଣ ।

ବୁଲି ବନେ ତୁମ୍ଭ ସଙ୍ଗତେ କରନ୍ତି ତା ଦର୍ଶନ,

କାନନସିକତାପୀଠରେ କରି ଉପବେଶନ ।

ବାସ ଅଳଙ୍କାର ବିତରି ମୁନି–ତନୟାଗଣେ,

ଆଶୀଃ ରାଶି ଘେନି ଆସନ୍ତି ପୁଣି ତୁମ୍ଭ ଗହଣେ ।”

 

ପ୍ରିୟାବାଣି ଶୁଣି କହନ୍ତି ରଘୁପତି ବଚନ,

“ସୁଚିତ୍ତେ ସୁନ୍ଦରି ! କରିବି ତବ ବାଞ୍ଛା ପୂରଣ ।

କିଛି ନାହିଁ ମୋର ଅଦେୟ ଦେଇପାରେଁ ଜୀବନ,

“କାଲି ପ୍ରାତେ ଯାଇଁ କରିବ ତପୋବନ ଦର୍ଶନ ।

ଏମନ୍ତ ସମୟେ ପ୍ରବେଶୁଁ ଭଦ୍ର ନାମେ ଦୂତକ,

ଗମିଲେ ଗୁପତ–ମନ୍ତ୍ରଣା–ଗୃହେ ରଘୁନାୟକ ।

 

ଚତୁର୍ଥ ସର୍ଗ

ଜନାପବାଦ

ପ୍ରବେଶିଣ ରାଜ୍ୟେଶ୍ୱର ଗୁପତ ଭବନ

ଗୁପ୍ତଚର ଭଦ୍ରମୁଖେ ପୃଛନ୍ତି ପ୍ରଶନ ।

‘‘କି ସମ୍ବାଦ ଆହେ ଭଦ୍ର ଆଣିଅଛ ପୁଣି ?”

କହେ ଚର, “ଆସିଲି ମୁଁ ତବ ଯଶ ଶୁଣି ।”

କହନ୍ତି ନରଶେ, “ଦୂତ, ପ୍ରତିଦିନ ଆଣି

ଦେଇଥାଅ ମୋତେ ହର୍ଷେ ମୋହୋ ଯଶୋବାଣୀ ।

ଆଜି କାହିଁ ପାଇଁ ମୁଖ ଦିଶୁଛି ବିମର୍ଷ,

ରାଜ୍ୟେ କି ଘୋଷିତ ହୁଏ ମୋର ଅପଯଶ ?

କେହି କି ମୋହର ଆଜି ରଟିଅଛି ଦୋଷ ?

କହ ହେ ଡଗର ସତ୍ୟ, ନ ବହିବି ରୋଷ ।

ବିଶ୍ୱାସ ଅଟଇ ଦୂତ–ଶ୍ରେଷ୍ଠଗୁଣ ଜାଣ,

ବିଶ୍ୱାସବିହୀନ ଦୂତ ସଂସପ ସମାନ ।

ନ କହିଲେ ସତ୍ୟ, ରାଷ୍ଟ୍ରବିଧି ଅନସାରେ

ଆବଦ୍ଧ ହୋଇବ ଦୂତ ରାଜକାରାଗାରେ ।”

 

କହେ ଦୂତ ବର୍ଜି ଅଶ୍ରୁ, “ରାଜରାଜେଶ୍ୱର,

ସବତ୍ର ଘୋଷିତ ହୁଏ ସୁକୀର୍ତ୍ତି ତୁମ୍ଭର ।

କହନ୍ତି ସମସ୍ତେ ‘ରାମ ନରପତି ପରି

ତ୍ରିଜଗତେ ନାହିଁ ନ ଥିବଟି ସମସରି ।

କିନ୍ତୁ ଇନ୍ଦୁକଳା ପରି ରାଣୀଙ୍କ କଳଙ୍କ

ଲାଗି କୃଷ୍ଣ ଦିଶେ ସୂର୍ଯ୍ୟବଂଶ ନିଷ୍କଳଙ୍କ ।

ନିର୍ଜନ ବିପିନ ରକ୍ଷ ଜାନକୀଙ୍କୁ ଧରି

ରଥେ ବସାଇଣ ପାଶେ ନେଲା ଚୋରି କରି ।

ନିଜ ଗଡ଼େ ବହୁଦିନ ରଖିଲା ରାବଣ,

ମାରି ତାଙ୍କୁ ରାମ କଲେ ସୀତାଙ୍କୁ ଗ୍ରହଣ ।

ରାଜଧର୍ମ ଅନୁସରି ପ୍ରଜାଏ ଚଳନ୍ତି,

ପ୍ରଜାଙ୍କ ଆଦର୍ଶ ସିନା ହୁଅନ୍ତି ନୃପତି ।

 

ନୃପତି ବରିବେ ଯେବେ ଆପେ ଅନାଚାର,

ଦୁରାଚାର ନିବାରିବେ କେମନ୍ତ ପ୍ରଜାର ?

ଯେ ନାରୀ ହୋଇଲେ ପରପୁରୁଷେ ସେବିତା,

ସେହି ହେଲେ ଆମ୍ଭ ରାଣୀରୂପେ ଅଭିଷିକ୍ତା ।

କୁଳନାରୀମାନେ ଆଉ ନ ମାନିବେ ପତି,

ଅଯୋଧ୍ୟାରେ ନ ରହିବେ ଆଉ କେହି ସତୀ ।’

ଏ ବାର୍ତ୍ତା ଶ୍ରବଣେ ଛାମୁ ଶ୍ରୀପଦ–ଦର୍ଶନ

କରିବାକୁ ନ ବଳିଲା ଏ ଦାସର ମନ ।

ଗୁପ୍ତ ଦୂତ–ଧର୍ମ ଘୃଣା–ଭୀତି–ସମ୍ବରଣ,

ଅନୃତ–ବର୍ଜନ, ରାଷ୍ଟ୍ର–ଶାନ୍ତି–ସଂରକ୍ଷଣ,

ସତ୍ୟପ୍ରିୟ ସରସ୍ୱତୀ ସୁଦର୍ଲ୍ଲଭ ଜାଣି

ନିବେଦିଲି ସ୍ୱାମି ସତ୍ୟ ଅପ୍ରିୟ ଏ ବାଣୀ ।

‘ରାଜଜ୍ଞା ଅଲଙ୍ଘନୀୟ’ ସ୍ମରଣ ଭୋ ପ୍ରଭୁ,

କର୍ତ୍ତବ୍ୟର ଅନୁରୋଧେ ନିବେଦିଲି ସବୁ ।

ଏତେଦିନେ ହେଲା ପ୍ରଭୋ ବିଫଳ ମୋ ନାମ ।’

ପ୍ରବୋଧି ବିଦାୟ ଦେଲେ ଦୂତ ରାଜା ରାମ ।

 

Unknown

ପଞ୍ଚମ ସର୍ଗ

ବନବିବାସନ

ଶୁଣି ଗୁପ୍ତଚର ମୁଖୁଁ ସୀତା ଅପଯଶ

ସର୍ବାଙ୍ଗ ରାମଙ୍କ ହେଲା ଅଚଳ ଅବଶ ।

ଦୁଃଖେ ସୁଖେ ଧୀର ସଦା ଅଚଳ ଅଟଳ

ହିମାଦ୍ରି ପ୍ରତିମ ରାମ ହୋଇଲେ ବିକଳ ।

“ଆହା ସୀତେ !” ବୋଲି ଶୋକେ ଶ୍ରୀରଘୁନନ୍ଦନ

ନିର୍ଜ୍ଜନେ ବସିଣ କଲେ ବିକଳ ରୋଦନ ।

“ରାଜେନ୍ଦ୍ର ଜନକ–କନ୍ୟା ସୁଖେ ସୁପାଳିତା

ଅତି ସୁକୁମାର–ଅଙ୍ଗୀ ପତିପ୍ରାଣ ସୀତା ।

ଅଭିଷେକ ଦିବସରେ ଗଲେ ଘୋରବନେ,

କେତେ କେଶ ସହିଲେ ସେ ଗହନ କାନନେ ।

 

ହରି ନେଇ ବନ୍ଦୀ କଲା ପାପିଷ୍ଠ ରାବଣ,

କଲା ନିଷ୍କଳଙ୍କ ଚନ୍ଦେ କଳଙ୍କ ଲେପନ ।

ଜାଣେ ମୁଁ ମଦ୍ ଗତପ୍ରାଣା ମୈଥିଳୀଙ୍କୁ ଅତି,

କଠିନ ପରୀକ୍ଷା ଦେଲେ ଲଙ୍କାଠାରେ ସତୀ ।

ବିନା ଦୋଷେ ସତୀ ଭାର୍ଯ୍ୟା ଘୋର ଅସମୟେ

କେମନ୍ତେ ବର୍ଜିବି ମୁହିଁ ଦାରୁଣ ହୃଦୟେ ?”

ଅବଶେଷେ ମହିଷୀଙ୍କୁ ବିଜନ କାନନେ

ନିର୍ବାସିବେ ବୋଲି ରାଜା ସ୍ଥିର କଲେ ମନେ ।

ଭରତ ଲକ୍ଷ୍ମଣ ସହ ଶତ୍ରୁଘ୍ନେ ହକାରି

କାନ୍ଦନ୍ତି ବିକଳେ ରାମ ନିଜକୁ ଧିକ୍‌କାରି

ଦେଖି ତିନି ଭାଇ ଭୟେ କଥା ନ କହନ୍ତି

ଅବଶେଷେ ଆରମ୍ଭିଲେ ରଘୁକୁଳପତି ।

“ଚୋରି କରି ନେଇଥିଲା ସୀତାଙ୍କୁ ରାବଣ,

ତେଣୁ ସର୍ବଶେ ମୁଁ ତାକୁ କଲି ବିନାଶନ ।

ବହୁକାଳ ରକ୍ଷୋଗୃହେ ବନ୍ଦୀ ଥିଲେ ସୀତା,

ସର୍ବସମକ୍ଷରେ ତେଣୁ ହେଲେ ପରୀକ୍ଷିତା ।

 

ସର୍ବସମ୍ମତିରେ ସୀତା କଲି ମୁଁ ଗ୍ରହଣ,

ଅଛି ତାର ସାକ୍ଷୀ ତୁମ୍ଭେ ନିଜେ ତ ଲକ୍ଷ୍ମଣ ।

ଦୁର୍ବୁଦ୍ଧି ଯୋଗରୁ ଆସି ଅଯୋଧ୍ୟାରେ ଯାହା

ପରୀକ୍ଷା ନ କରି ଲଙ୍କାଠାରେ କଲି ତାହା ।

ଜାନକୀ ଚରିତ୍ରେ ସନ୍ଦିହାନ ପ୍ରଜାଗଣ,

ଆଜିଠାରୁ କଲି ମୁହିଁ ସୀତାବିସର୍ଜ୍ଜନ ।

କାଲି ପ୍ରାତେ ଲକ୍ଷ୍ମଣ ହେ ତୁମ୍ଭରି ଗହଣେ

ନେଇଯାଇ ଛାଡ଼ି ଆସ ସୀତା ଘୋରବନେ ।”

କହନ୍ତି ସୌମିତ୍ରି, “ଅଜ୍ଞ ଅଶିକ୍ଷିତ ଜନ

ନୁହନ୍ତି ଶାସ୍ତ୍ରଜ୍ଞ କିବା ପ୍ରଜ୍ଞାପରାୟଣ,

ନ୍ୟାୟାନ୍ୟାୟ ସତ୍ୟାସତ୍ୟ ବିଚାରେ ଅଶକ୍ତ,

ଧରନ୍ତି ପାଶବ ବୁଦ୍ଧି, ପଶୁମାଂସରକ୍ତ ।

 

ପଶୁସମ ନିଦାରୁଣ ଜ୍ଞାନହୀନ ନର,

ପଶୁଠାରୁ ଥୋକେ ନର ଭୟଙ୍କରତର ।

ପ୍ରଶଂସନ୍ତି ଆଜି ଯାହା ଜନସାଧାରଣ,

କରନ୍ତି ତାଠାରେ କାଲି ଦୋଷ–ଆରୋପଣ ।

ନିଜେ ମୁଁ ଦେଖିଛି ସୀତା ଅଦ୍ଭୁତ ପ୍ରକାରେ

ସତୀତ୍ୱ ପ୍ରମାଣିଛନ୍ତି ଅଗ୍ନି–ପରୀକ୍ଷାରେ ।

ନିର୍ବୋଧଜନଙ୍କ କଥା ଅନୁସାରେ ଆର୍ଯ୍ୟ !

କେବେହେଁ ନ କର ଏହି ଅନଚିତ କାର୍ଯ୍ୟ ।”

କହିଲେ ନରେନ୍ଦ୍ର ରାମ, “ପ୍ରଜାତୁଷ୍ଟି ପାଇଁ

ତେଜି ପାରେଁ ପ୍ରାଣ ପ୍ରାଣାଧିକ ତିନି ଭାଇ ।

ରାଜାର ଜୀବନ ଧନ ସର୍ବ ପ୍ରଜାପାଇଁ,

ଆତ୍ମ–ପରିବାର–ସ୍ୱାର୍ଥ ନୃପତିର ନାହିଁ ।

ରାଜାର କର୍ତ୍ତବ୍ୟ ଭାଇ ପ୍ରକୃତିରଞ୍ଜନ,

କର୍ତ୍ତବ୍ୟବିଭଷ୍ଟ ହେଲେ ବିଫଳ ଜୀବନ,

କୀତ୍ତମାନ ମରି ଭବେ ଲଭଇ ଜୀବନ,

କଳଙ୍କିତ ପ୍ରାଣେ ଭାଇ କିବା ପ୍ରୟୋଜନ ?

 

କଳଙ୍କିତ ହେବ ନିଷ୍କଳଙ୍କ ସୂର୍ଯ୍ୟବଂଶ,

ରଟିବ ସଂସାରେ ମୋର ଘୋର ଅପଯଶ,

ଏମନ୍ତ ଜୀବନ ଘେନି ବଞ୍ଚିବି କେସନ,

ଏ ହୀନ ଜୀବନେ ଭାଇ କିବା ପ୍ରୟୋଜନ ?

କର୍ତ୍ତବ୍ୟ ପାଳି ସେ ସୁଖ ଲଭେ କର୍ମବୀର,

ସେ ସୁଖ ଲଲାଟେ ଲେଖା ନାହିଁ କଳଙ୍କିର ।

କଠିନ କର୍ତ୍ତବ୍ୟେ ଅଛି ସଞ୍ଚିତ ରେ ସୁଖ,

ଜିଣିଛି ସେ ମମ ଦୀର୍ଘ ବନବାସ ଦୁଃଖ ।

ଯେ କର୍ତ୍ତବ୍ୟ ପ୍ରେରଣାରେ ତେଜି ସିଂହାସନ,

ପ୍ରିୟତମ ଭରତର ବ୍ୟାକୁଳ କ୍ରନ୍ଦନ,

ଏଡ଼ି ମୁଁ ନିର୍ମମ ସମ ଭ୍ରାତା ଭାର୍ଯ୍ୟା ସହ,

ସହିଲି ଅରଣ୍ୟ–ବାସ–କ୍ଳେଶ ଦୁର୍ବିଷହ,

 

ଭ୍ରମିଲି ଭିକ୍ଷୁକବେଶେ ଭୀଷଣ କାନନେ,

ଗର୍ଜ୍ଜୁଅଛି ସେ କର୍ତ୍ତବ୍ୟ ‘ପ୍ରେର ସୀତା ବନେ’ ।”

ବୁଝାଇ ଲକ୍ଷ୍ମଣ ଆଦି ଭାଇ ତିନି ଜଣ

ଏ ଦାରୁଣ କର୍ମୁଁ ଯେତେ କଲେ ନିବାରଣ,

ତଥାପି ଶ୍ରୀରାମ ରାଜା ପ୍ରକୃତିରଞ୍ଜନ

କଳଙ୍କ ଭୟରେ ଦେଲେ ସୀତା ନିର୍ବାସନ ।

ଋଷିକନ୍ୟା ସହ ବନ–ଶୋଭା–ଦରଶନେ

ଯିବାପାଇଁ କହିଥିଲେ ସୀତା ତପୋବନେ ।

ନେଇଗଲେ ସେହି ବ୍ୟାଜେ ଅନୁଜ ଲକ୍ଷ୍ମଣ

ସନ୍ତପ୍ତହୃଦୟେ ଦେବାପାଇଁ ନିର୍ବାସନ ।

ଋଷି–କୁମାରୀଙ୍କ ପାଇଁ ବାସ ଆଭରଣ

ସଙ୍ଗେ ଘେନି ସୀତା କଲେ ରଥେ ଆରୋହଣ ।

ରଥ ଚଳୁଁ ସୀତାଦେବୀ କହନ୍ତି, “ଲକ୍ଷ୍ମଣ,

ବାଞ୍ଛାକଳ୍ପତରୁ ପ୍ରଭୁ ଅଯୋଧ୍ୟାରାଜନ ।

ପ୍ରାର୍ଥନା ମାତ୍ରକେ ତପୋବନ–ସନ୍ଦର୍ଶନ—

ବାଞ୍ଛା ପୂର୍ଣ୍ଣ କଲେ ପ୍ରଭୁ ଶ୍ରୀରଘୁନନ୍ଦନ ।

 

କିନ୍ତୁ ଆଜି ନ ଆସିଲେ ମୋ ସଙ୍ଗେ କିପାଇଁ ?

ରାଜକାର୍ଯ୍ୟୁ ଅବା ତାଙ୍କୁ ଅବକାଶ ନାହିଁ ।”

ପଥେ ସତୀ ପଚାରନ୍ତି ବିବିଧ ପ୍ରଶନ,

ଦିଅନ୍ତି ବିଷର୍ଣ୍ଣମୁଖେ ଉତ୍ତର ଲକ୍ଷ୍ମଣ ।

ଦେଖିଣ ଜାନକୀ ତାଙ୍କୁ ପୃଚ୍ଛନ୍ତି କାରଣ,

ଲଜ୍ଜାଦୁଃଖେ ନ କହନ୍ତି କିଛିହିଁ ଲକ୍ଷ୍ମଣ ।

ଯାଉଁ ଯାଉଁ ଅହେତୁକୀ ଆକୁଳତା ମନ

ସତୀଙ୍କର ଆସି କଲା ସଂଶୟ–ଆଚ୍ଛନ୍ନ ।

କହନ୍ତି “ଲକ୍ଷ୍ମଣ ଭାଇ ! ଚଞ୍ଚଳ ମୋ ମନ,

ସୁଦୂର ବିଳାପ–ଧ୍ୱନି ବାଜଇ ଶ୍ରବଣ ।

ଶୁଣିଥିଲି ଥରେ ଯେହ୍ନେ ପଞ୍ଚବଟୀ ବନେ

ଦୂରାଗତ ମାୟାମୃଗ–ବିକଳ କ୍ରନ୍ଦନେ;

 

ସେହିପରି ପୁଣି ଭାଇ ଉଦ୍‌ବିଗ୍ନ ମୋ ମନ,

ସୁମରୁଅଛନ୍ତି କିବା ମୋତେ ପ୍ରାଣଧନ,

ଅବା ପ୍ରାଣେଶଙ୍କୁ କିଛି ପଡ଼ିଲା ବିପତ୍ତି,

ତପୋବନ–ଦରଶନେ ନାହିଁ ଆଉ ମତ ;

ନେଉଟାଇ ରଥ ଏବେ ନିଅ ବୀରବର !

ଅଚିରେ ଦେଖାଅ ମୋତେ ରାମ–ଶ୍ରୀପୟର ।”

କହୁ କହୁ ରଥ ଭାଗୀରଥୀ ହେଲା ପାର,

ଲକ୍ଷ୍ମଣ–ନୟନୁ ବାରି ଝରେ ଦୁର୍ନିବାର ।

ବୈଦେହୀ–ନିର୍ବନ୍ଧ ଶୁଣି ଶୋକାର୍ତ୍ତ ଲକ୍ଷ୍ମଣ

ସଭୟେ ଭାଷିଲେ ବାଣୀ ସଜଳନୟନ ।

“ଏକାକିନୀ ଥିଲ ଦେବି ! ରାବଣଭବନ,

ସନ୍ଦିଗ୍‌ଧ ଚରିତ୍ରେ ତବ ରାଜ୍ୟବାସିଗଣ ।

ଅପବାଦ ଶୁଣି ରାମ କଳଙ୍କଭଞ୍ଜନେ

ତେଜିଲେ ତୁମ୍ଭଙ୍କୁ ଦେବି ! ଗହନ କାନନେ ।”

ପାଳିଣ ଅଲଂଘନୀୟ ଆଜ୍ଞା ଗୁରୁଙ୍କର,

ବାଞ୍ଛିଲେ ଦାରୁଣ–ପ୍ରାଣ ଶେଷ ବୀରବର ।

 

ଶ୍ରବଣେ ହତଚେତନା ହୋଇ ସତୀ ସୀତା

ବାତାହତା ହେମଳତା ପ୍ରାୟେ ଭୂପତିତା ।

ଦେଖି ହତବୁଦ୍ଧି ବୀର ସୁଧୀର ଲକ୍ଷ୍ମଣ

କରାଇଲେ ଭୂଲୁଣ୍ଠିତା ସୀତାଙ୍କୁ ଚେତନ ।

ଚେତନା ପାଇଣ ସତୀ ବିଚଳିତା ଦୁଃଖେ,

ଚାହିଁଲେ ସୁସ୍ଥିର ନେତ୍ରେ ଲକ୍ଷ୍ମଣଙ୍କ ମୁଖେ ।

ହତବୁଦ୍ଧି ଚିତ୍ରାର୍ପିତ ପରାୟେ ଲକ୍ଷ୍ମଣ

ଚାହିଁଲେ ଅବନୀତଳେ, ସଜଳନୟନ ।

କ୍ଷଣ ପରେ ସୀତା ନେତ୍ରୁଁ ପ୍ରବଳବେଗରେ

ବହିଲା ଲୋତକ, ଶ୍ୱାସ ଚଳିଲା ପ୍ରଖରେ ।

କମ୍ପିଲା କୋମଳ ତନୁ, ବିହ୍ୱଳ ଲକ୍ଷ୍ଣଣ

ହତବୁଦ୍ଧି ପ୍ରାୟ ଉଭା ନ ସ୍ଫୁରେ ବଚନ ।

 

କିଛି କ୍ଷଣେ ଧୈର୍ଯ୍ୟେ ସୀତା ବୋଇଲେ ବଚନ,

“କାହାକୁ ଦୋଷିବି, ଏ ମୋ ଲଲାଟ–ଲିଖନ ।

ପିତା ମୋ ମିଥିଳାନାଥ ରାଜର୍ଷିଜନକ,

ମୋ ଶ୍ୱଶୁର ଦଶରଥ ଅଯୋଧ୍ୟାନାୟକ,

ନିଷ୍କଳଙ୍କ ସୂର୍ଯ୍ୟବଂଶେ ବଧୂତ୍ୱ ମୋହର,

ପ୍ରତି ମୋ ଶ୍ରୀରାମଚନ୍ଦ୍ର ରାଜରାଜେଶ୍ୱର ।

କଙ୍ଗାଳୁଣୀ ପ୍ରାୟେ ମୁହିଁ ବାଟଭିକାରୁଣୀ,

ଜନପଦ–ଅଯୋଗ୍ୟା ମୁଁ ଅଶୁଦ୍ଧଚାରିଣୀ ।

ରାଜସୁତା, ରାଜବଧୂ ନୃପତି ଘରଣୀ,

କହ ମୋହୋ ସରି କିଏ ଜନମଦୁଃଖିନୀ ?

ନାରୀଜନ୍ମ ଦେଇଅଛି ଧାତା ଆଜୀବନ

ସହିବାକୁ ଦୁର୍ବିଷହ ଦାରୁଣ କଷଣ ।

ଅବଶେଷେ ଘଟିବ ଯେ ଏ ଦଶା ମୋହର,

କାହାକୁ ବିଧାତା ! ଏହା ଥିଲାଟି ଗୋଚର ?

ବହୁକାଳେ ହେଲା ସ୍ୱାମୀ ସହିତେ ମିଳନ,

ଭାଳିଲେ ଏଠାରୁ ହେଲା ମୋ ଦୁଃଖ–ମୋଚନ ।

 

କିନ୍ତୁ ଶତଗୁଣେ ଦୁଃଖ ଲେଖିଛି ବିଧାତା,

ସ୍ୱପନେ ତ ଜାଣି ନାହିଁ ଦାରୁଣ ବାରତା ।

ଆହା ରେ ବିଧାତା ! ଏହା ଥିଲା ତୋହ ମନେ”

କହିଣ ଧରଣୀତଳଗତା ବିଚେତନେ ।

ବହୁଯତ୍ନେ ଦୀର୍ଘଶ୍ୱାସ ତେଜି ଶୋକଭରେ

କହନ୍ତି, “ଲକ୍ଷ୍ମଣ, କରିଥିଲି ଜନ୍ମାନ୍ତରେ

କେତେ ମହାପାତକ ମୁଁ, ନୋହିଲେ ବିଧାତା

ଏତେ ଦୁଃଖ ମୋ କପାଳେ ଲେଖି ନା ଥାଆନ୍ତି !

ଅଥବା କି ଅପରାଧ ଅଛି ବିଧାତାର,

ସମସ୍ତେ ଭୁଞ୍ଜନ୍ତି କର୍ମଫଳ ଆପଣାର ।

ପୂର୍ବଜନ୍ମେ ମୁହିଁ କରିଥିଲି ମହାପାପ,

ଭୋଗୁଅଛି ତାହା ଫଳେ ଏ ଘୋର ସନ୍ତାପ ।

 

ପତିପ୍ରାଣା କାମିନୀକୁ କଲି ବିୟୋଜିତ ।

ଜନାନ୍ତରେ, ଆଜି ତାର ହେଲା ପ୍ରାୟଶ୍ଚିତ୍ତ ।

ନତୁବା ପ୍ରାଣେଣ ସ୍ନେହଦୟାପୂର୍ଣ୍ଣ ଚିତ୍ତ,

ମୋତେ ପତିପ୍ରାଣା, ଶୁଦ୍ଧଚାରିଣୀ ବିଦିତ ।

ତଥାପି ଏସନ କାଳେ ତେଜିଲେ ନିର୍ଦ୍ଦୋଷେ

ଘଟିଲା ଏ ପୂର୍ବଜନ୍ମାର୍ଜିତ କର୍ମଦୋଷେ ।

ବତ୍ସ ! ମୁଁ କାତର କେଭେଁ ନୁହେ ବନବାସେ,

ଥିଲି ବହୁକାଳ ବନେ ସୁଖେ ତାଙ୍କ ପାଶେ ।

ଯାବତ ଜୀବନ ପ୍ରାଣେଶ୍ୱର ସହବାସ

ବନବାସେ ଥିଲେ ନ ଥାଆନ୍ତା ଦୁଃଖ ଲେଶ ।

ଯେବେ ମୋତେ ପଚାରିବେ ମୁନିକନ୍ୟାଗଣ,

‘କେଉଁ ଦୋଷେ ହେଲା ତୁମ୍ଭ ବନ–ନିର୍ବାସନ ?’

କରୁଣାସାଗର ରାମ ଜାଣନ୍ତି ସମସ୍ତେ,

କହିଲେ ପ୍ରକୃତ ହେତୁ ନ ଯିବେ ପରତେ ।

‘ବୋଲିବେ ଅବଶ୍ୟ ଗୁରୁ ପାପ କଲେ ସୀତା,

ବିଜନ ବନରେ ତେଣୁ ହେଲେ ନିର୍ବାସିତା ।

 

ବତ୍ସ ! କି କହିବି ରାମ–ସତ୍ତ୍ୱ ଏ ଉଦରେ

ନ ଥିଲେ, ପ୍ରବେଶି ଏହି ଜାହ୍ନବୀଜଳରେ,

ଏହି ମୁହୂର୍ତ୍ତରେ ତେଜି ଏ ଦଗ୍‌ଧ ପରାଣ

ଏ ଦୁଃସହ ଲଜ୍ଜା ଦୁଃଖ କରନ୍ତି ନିର୍ବାଣ ।

ଆଉ ଏ ଜୀବନେ ମୋର କିବା ପ୍ରୟୋଜନ,

ଉଚିତ କି ଏ ଦଶାରେ ରଖିବା ଜୀବନ ?

ଆଶ୍ଚର୍ଯ୍ୟ ପ୍ରାଣେଶ କଲେ ମୋତେ ପରିତ୍ୟକ୍ତି,

ଶୁଣି ଏହା ପ୍ରାଣ ମୋର ନ ହେଲା ନିର୍ଗତ ।

ଏପରି କଠିନ ପ୍ରାଣ ଆଉ କାହିଁ ନାହିଁ ;

ନତୁବା ଏକ୍ଷଣି ଉଡ଼ି ନ ଯାଏ କିପାଇଁ ।

ସୁଚିରଦୁଃଖିନୀ ଅବା କରିବା କାରଣ

ସଂକଳ୍ପ କରିଣ ଧାତା ଦେଲେ ମୋ ଜୀବନ ।

 

ସଂକଳ୍ପ ବିଫଳ ହେବ ହେଲେ ମୋ ମରଣ,

ଏଥିପାଇଁ ଲକ୍ଷ୍ମଣ ହେ ନ ଯାଏ ଜୀବନ ।”

ଏସନ ଆକ୍ଷେପି ସୀତା ବିଳାପି ବିକଳେ

“ଆହା ରାମଚନ୍ଦ୍ର !” ବୋଲି ପଡ଼ିଲେ ଭୂତଳେ ।

ଦେଖି ଶୁଣି ସୀତା ଦୁଃଖ ଲକ୍ଷ୍ମଣ ସୁଧୀର

ନିତାନ୍ତ କାତର ଦୁଃଖେ ହେଲେ ସେ ଅଧୀର ।

ଦୁଃଖଶୋକେ ଅଭିଭୂତ ଏକାନ୍ତ ଲକ୍ଷ୍ମଣ,

ଅବିରଳଧାରେ ଅଶ୍ରୁ କଲେ ବିସର୍ଜ୍ଜନ ।

“ପ୍ରକୃତିରଞ୍ଜନ ଆଶେ ଦାରୁଣ ନୃପତି

ନିର୍ଦ୍ଦୋଷେ ତେଜିଲେ ଆହା ବନେ ସୀତା ସତୀ

କେତେ କଷ୍ଟ ସହିଥିଲେ ସୁକୁମାରୀ ବନେ,

ରାବଣ ବନ୍ଦିନୀ କଲା ଅଶୋକକାନନେ ।

ଦୁର୍ବିଷହ ଦୁଃଖ ସହି ଲଙ୍କାର ସଂଗ୍ରାମ

ଯୁଝିଲୁଁ କି ଏଥିପାଇଁ, ହା ନୃଶଂସ ରାମ ।”

ଏସନେ ଆକ୍ଷେପି ବହୁ ସୁଶୀଳ ଲକ୍ଷ୍ମଣ

ଜାହ୍ନବୀ–ଜୀବନେ କଲେ ସୀତାଙ୍କୁ ଚେତନ ।

 

ସଚେତନା ମହାସତୀ କହନ୍ତି ବଚନ,

“ଅଯୋଧ୍ୟାକୁ ଫେରିଯାଅ ସୁଧୀର ଲକ୍ଷ୍ମଣ ।

ହୋଇଥିବେ ରାମଚନ୍ଦ୍ର ମୋ ତ୍ୟାଗେ ଉନ୍ମନା,

ବାହୁଡ଼ି ଲକ୍ଷ୍ମଣ ତାଙ୍କୁ ଦେବ ପ୍ରବୋଧନା ।

ଏକାକୀ ରହିଲେ ହେବେ ଶ୍ରୀରାମ କାତର,

ସର୍ବଦା ସୌମିତ୍ରି ଥିବ ତାଙ୍କ ସଙ୍ଗତର ।

ନିଜ ଦୁଃଖେ ଯେତେ ନୁହେଁ ଆକୁଳ ମୋ ଚିତ୍ତ,

ମୋ ବିରହେ ଶ୍ରୀରାମଙ୍କ ଦୁଃଖେ ମୁଁ ଚିନ୍ତିତ ।

ଭାର୍ଯ୍ୟାପଣୁଁ ଦାସୀ ସିନା ହେଲା ବହିର୍ଭୂତ,

ପ୍ରଜାପଣୁଁ ନ କରିବେ ହୃଦରାଜ୍ୟୁଁ ଚ୍ୟୁତ ।

ସସାଗରା ଘରଣୀରେ ରାମଚନ୍ଦ୍ର ରାଜା,

ଯେଉଁଠାରେ ଥାଏଁ ମୁହିଁ ତାଙ୍କରି ପରଜା ।

 

ତାଙ୍କରି ରାଜ୍ୟରେ ପାଳି ତାଙ୍କରି ସନ୍ତାନେ

ବଞ୍ଚିବି ଗହନବନେ ତାଙ୍କ ପଦ ଧ୍ୟାନେ ।

ହେଲେହେଁ ତାଙ୍କ ବିଚ୍ଛେଦେ ଦୁର୍ବିଷହ ଦୁଃଖ,

ତାଙ୍କ ଶୁଭ ସମ୍ବାଦରେ ପାଇବି ମୁଁ ସୁଖ ।

ସ୍ନେହଶୀଳା ଊର୍ମିଳାଦି ମୋ ପ୍ରାଣ ଭଗିନୀ

ମୋହ ପାଇଁ ହେବେ ନିଶ୍ଚେ ହୃଦୟେ ଦୁଃଖିନୀ ।

ନ ଦେଇ ଅଘାତ ତାଙ୍କ କୋମଳହୃଦୟେ,

ରଖିବ ମୋ ଭଗିନୀଙ୍କୁ ସସ୍ନେହେ ସଦୟେ

ମୁହିଁ ତ ଚିରଦୁଃଖିନୀ, ଭଗିନୀଙ୍କ ସୁଖ—

ବାରତା ଶୁଣିଣ କିଛି ଘୁଞ୍ଚିବ ମୋ ଦୁଃଖ ।

କୌଶଲ୍ୟା ସୁମିତ୍ରା ଆଦି ପୂଜ୍ୟ ଗୁରୁଜନ,

ନିବେଦିତ ମୋ ପ୍ରଣତି ତାଙ୍କ ଶ୍ରୀଚରଣ ।

କହିବ ମୋ ଲାଗି ଆଉ ଦୁଃଖ ନ କରିବେ,

ସ୍ମୃତି–ପଟୁଁ ସୀତା ନାମ ପୋଛି ପକାଇବେ ।”

ଶୋକେ ଉଚ୍ଛଳିତ ପ୍ରାଣ ଶୁଣି ସତୀବାଣୀ,

ପ୍ରଣମି ଲକ୍ଷ୍ମଣ ଦୁଃଖେ ଘେନିଲେ ମେଲାଣି,

 

ବଦ୍ଧକରପୁଟେ ବୀର ବିକଳ ବଚନେ,

“ହେ ସତି, କରିବ କ୍ଷମା ପାଷାଣ୍ଡଲକ୍ଷ୍ମଣେ ।”

ଶୁଣିଣ କହନ୍ତି ସୀତା, “ନାହିଁ ତବ ଦୋଷ,

କିପାଇଁ ବହିବି ତୁମ୍ଭଠାରେ ବୃଥା ରୋଷ ?

ଅଗ୍ରଜଙ୍କ ଆଜ୍ଞାବହ ସୁଶୀଳ ସୁଧୀର

ଲେଶମାତ୍ର ଦୋଷ ତବ ନାହିଁ ଏଥି ବୀର ।

ଜନ୍ମେ ଜନ୍ମେ ତୁମ୍ଭ ପରି ସୁଶୀଳ ଦେବର

ମିଳୁ ମୋତେ, ଏ ମିନତି ପ୍ରଭୁଙ୍କ ପୟର ।”

ଏକାନ୍ତେ ଶ୍ରୀରାମଗତପ୍ରାଣା ତାଙ୍କୁ ଜାଣି

କାନ୍ଦନ୍ତି ଲକ୍ଷ୍ମଣ ଶୁଣି ବୈଦେହୀଙ୍କ ବାଣୀ ।

ବୋଇଲେ, “ଚେ ବଜ୍ରହୃଦ ! ହୁଅ ତୁ ବିଦୀର୍ଣ୍ଣ,

ଏହିକ୍ଷଣି ତ୍ୟଜ ପ୍ରାଣ ନୃଶଂସ ଲକ୍ଷ୍ମଣ ।”

 

କହନ୍ତି ବୈଦେହୀ, “ବତ୍ସ, ନ କର ରୋଦନ,

ଭୁଞ୍ଜିବି ଅବଶ୍ୟ ମୁହିଁ କପାଳଲେଖନ ।”

ରୋରୁଦ୍ୟମାନା ସୀତାଙ୍କୁ ତେଜିଣ କାନନେ

ଭାଗୀରଥୀ ପାର ହୋଇ ସଜଳନୟନେ

ଅନାଇ ପଛକୁ ଥରେ ଶୋକାର୍ତ୍ତ ଲକ୍ଷ୍ମଣ

ରଥେ ଚଢ଼ି ଅଯୋଧ୍ୟାକୁ କଲେ ସେ ଗମନ ।

 

ଷଷ୍ଠ ସର୍ଗ

ଶ୍ରୀରାମଙ୍କ ଅନୁଶୋଚନା

ଶୁଣି ସଉମିତ୍ରି–ମୁଖୁଁ “ସୁକୁମାରୀ ସୀତା

ନିର୍ବାସନ ଦଣ୍ଡେ ଆହା ଦାରୁଣ ବ୍ୟଥିତା !”

“ଆହା ସୀତେ ।” ବୋଲି ହସ୍ତ ରଖି ଶିରତଳେ

ଆକ୍ଷେପି କହନ୍ତି ବାଣୀ ଶ୍ରୀରାମ ବିକଳେ ।

“ବିଦେହନରେଶ ଜ୍ଞାନୀ ଜନକ ରାଜଷ

ମୁନିଜନପୂଜ୍ୟ ବିଶ୍ୱଚୂଢ଼ତତ୍ତ୍ୱଦର୍ଶୀ ।

କିପାଇଁ ଏ ମୂର୍ଖ ରାମେ କଲେ କନ୍ୟାଦାନ,

ତୁଳସୀଲତାକୁ କଲେ ଭୁଜଙ୍ଗେ ପ୍ରଦାନ ।

ରାଜସୁତା, ରାଜବଧୁ, ରୂପଗୁଣବତୀ,

କେତେ କ୍ଳେଶ ସହିଲି ଗୋ ସୁକୁମାରି ସତି !

କନକଲତିକାସମ ସୁକୁମାର ଅଙ୍ଗ

କିପାଇଁ ବିଧାତା କଲା ଏ ଭୁଜଙ୍ଗ ସଙ୍ଗ ?

ତେଜି ଗୃହ–ସୁଖ ପୁଣି ଆତ୍ମୀୟ ସ୍ୱଜନ

ସଙ୍ଗେ ମୋର ଗମିଥିଲ ଗହନ କାନନ ।

ଅଶେଷ କଷଣ ସହି ଜନକତନୁଜା,

ସେ ଗହନବନେ ମୋର କଲ ପାଦପୂଜା ।

ପାପିଷ୍ଠ ରାବଣ ଯେବେ ଏକାକିନୀ ଗୋରି,

ପଞ୍ଚବଟୀ ବନୁଁ କରି ଘେନିଗଲା ଚୋରି ।

 

ସୁବର୍ଣ୍ଣ ଲଙ୍କାର ରାଜା ବଳିଷ୍ଠ ରାବଣ

ରାଣୀ କରିବାକୁ ଦେଖାଇଲା ପ୍ରଲୋଭନ ।

ସେ କଥାକୁ ମହାସତି, ବିଷ ମନେକରି

ରାତ୍ରି ଦିନ ଯାପିଥିଲା ରାମନାମ ଧର ।

ବନବାସୀ ଭିକାରୀ ଯେ ଅଭାଗା ଶ୍ରୀରାମ,

କିପାଇଁ ଜପିଲ ଦେବି, ଦୁଃଖି–ରାମ–ନାମ ?

ଚାହିଁଲ ରାବଣ–ନାଶ ମୋ ସଙ୍ଗେ ମିଳନ,

ବାରିଦେ ଚାତକ ପକ୍ଷୀ ଚାହିଁଥା ଯେସନ,

ବନ୍ଦିନୀ କରାଇ ଘୋର ଅଶୋକକାନନ

ଦାରୁଣ ଯାତନା ଦେଲା ପାତକୀ ରାବଣ ।

ଦୀର୍ଘ କାରାବାସେ ଦୁଃଖ ନ ହେଲା ନିଃଶେଷ,

କଳଙ୍କ ଭୟରେ ଦେଲି ବର୍ଜନ–ଆଦେଶ ।

ଦୁଃସହ ଯାତନା ଭୋଗିଥିଲ କାରାବାସେ,

ତେଜିଲ ଜୀବନ–ଆଶା ପ୍ରତ୍ୟାଖାନାଦେଶେ ।

 

ଢଳ ଢଳ ନେତ୍ରେ ସତି, ଚାହିଁଲ ମୋ ମୁଖ,

ସେ ନେତ୍ର ସୁଚିଲା ହୃଦେ ଦୁର୍ବିଷହ ଦୁଃଖ ।

ବିଭୀଷଣ ସ୍ୱଗ୍ରୀବ ଯେ ବହୁ ସେନାପତି

ଲକ୍ଷ ଲକ୍ଷ ଲୋକେ ଲଙ୍କା ଲୋକାରଣ୍ୟ ଅତି ।

ସମସ୍ତଙ୍କ ଆଗେ ପ୍ରିୟେ ଦୁଃଖଲଜ୍ଜାଭରେ

ପ୍ରବେଶଲ ପ୍ରଜ୍ଜ୍ୱଳିତପାବକଭିତରେ ।

ଧନ୍ୟ ଧନ୍ୟ ସତି, ପତିପ୍ରାଣା, ପତିବ୍ରତା,

କେମନ୍ତେ ମୁଁ ପାଶୋରିବି ତବ ଗୁଣ କଥା ?

ରାବଣ ଅଶୋକବନେ ବନ୍ଦିନୀ କରାଇ

ଶତ ଶତ ଦାସୀ ତଥି ଥିଲାକ ଜଗାଇ ।

ନିଷ୍ଠୁର ଶ୍ରୀରାମ ନେଇ ଗହନ କାନ୍ତାରେ

ସମର୍ପଣ କଲା ସୀତା ହିଂସ୍ରଜନ୍ତୁଠାରେ ।

ବୈଦେହି ! ବିବାହ କଲ ଯାହା ହସ୍ତ ଧରି

ରକ୍ଷଠାରୁ ସେ ତୁମ୍ଭର ଘୋରତର ଅରି ।

 

ପଞ୍ଚମାସ ଅନ୍ତଃସତ୍ୱା ହେଲ ଯେବେ ସଖି,

ଇଚ୍ଛା ଅନୁସାରେ ଥାନ୍ତ ନାନା ସାଧ ଭକ୍ଷି ।

ନିର୍ବୋଧଜନଙ୍କ ନିନ୍ଦା ଶୁଣି ସତୀ ସୀତା

ବିନାଦୋଷେ କଲି ଘୋରବନେ ନିର୍ବାସିତା ।

ଭରତ ଶତ୍ରୁଘ୍ନ ପୁଣି ସୁବୁଦ୍ଧି ଲକ୍ଷ୍ମଣ

ପାପ ଅନୁଷ୍ଠାନୁଁ କେତେ କଲେ ନିବାରଣ ।

ନୃଶଂସ ରାକ୍ଷସ ପରି କହିଲି ଲକ୍ଷ୍ମଣେ,

‘ସୀତାଙ୍କୁ ନିର୍ବାସି ଆସ ଗହନ କାନନେ ।’

ସୁଧୀର ଲକ୍ଷ୍ମଣ ନେଇ ଭାଗୀରଥୀପାରେ

ବିସର୍ଜି ଆସିଲେ ଦୁଃଖେ ଗହନ କାନ୍ତାରେ ।

ତବ ବିନା ପ୍ରାଣେଶ୍ୱରି, ନିଦାରୁଣ କ୍ଳେଶ

ବିଦୀର୍ଣ୍ଣ କରୁଛି ଏବେ ଏ ହୃଦୟଦେଶ ।

କାହିଁ ନେଇ ସୀତା ତେଜି ଆସିଲ ଲକ୍ଷ୍ମଣ,

ଏ ଜୀବନେ ଆଉ ସତେ ପାଇବି ଦର୍ଶନ ?

 

ଭାଇ ହେ ଲକ୍ଷ୍ମଣ, କାହିଁ ଛନ୍ତି ସୀତା ସତୀ,

ନ ଦେଖି ତାହାଙ୍କୁ ସ୍ଥିର ହେଉ ନାହିଁ ମତି ।

କେଉଁ ଘୋରବନେ କଲ ତାହାଙ୍କୁ ବର୍ଜ୍ଜନ,

କେମନ୍ତେ ବଳିଲା ମନ ତୁମ୍ଭର ଲକ୍ଷ୍ମଣ ?

ପାପିଷ୍ଠ ରାକ୍ଷସ ପରି ମୁହିଁ ସିନା ଭାଇ,

ଦୟା କ୍ଷମା ମୋହଠାରେ ତିଳେ ସୁଦ୍ଧା ନାହିଁ ।

ସୁବୁଦ୍ଧି ସୁଶୀଳ ତୁମ୍ଭେ ସଦା ତ ଲକ୍ଷ୍ମଣ,

ଘୋରବନେ କଲ ସୀତା କିପରି ବର୍ଜ୍ଜନ ?

ଅଥବା ମୋ ଆଜ୍ଞାବହ ସୁଧୀରପ୍ରବର,

କି ଦୋଷ ଏଥିରେ ଅଛି ବୀର ହେ ତୁମ୍ଭର ?

ନୟନପ୍ରତିମା ମୋର ରହିଛନ୍ତି ଯହିଁ

ଛାଡ଼ି ଆସ ଲକ୍ଷ୍ମଣ ହେ ମୋତେ ନେଇ ତହିଁ ।

ଅଯୋଧ୍ୟାର ସିଂହାସନେ ବସ ହେ ଭରତ,

ବନେ ଯାଇ ଆଚରେ ମୁଁ ବାନପ୍ରସ୍ଥ–ବ୍ରତ ।

 

କର ଏହିକ୍ଷଣି ଅଭିଷେକ–ଆୟୋଜନ,

ମନ୍ତ୍ରିପଣ କର ତୁମ୍ଭେ ବିଧିଜ୍ଞ ଲକ୍ଷ୍ମଣ,

କରିଲେ କରନ୍ତୁ ନିନ୍ଦା ରାଜ୍ୟପ୍ରଜାଗଣ,

ସୀତା ବିନୁ ନ ରହିବ ଏ ମୋର ଜୀବନ ।

ଆହା ସୁକମାରୀ ହୋଇଥିବେ ତ ମୂର୍ଚ୍ଛିତା,

ବନ୍ୟପଶୁଗଣେ ହୋଇଥିବେ ବା ଭକ୍ଷିତା ।”

‘ଆହା ସୀତେ !’ ବୋଲି ଝାମ ଗଲେ ବହୁକ୍ଷଣ,

ବ୍ୟଜନେ ସଚେତ କଲେ ଭାଇ ତିନିଜଣ ।

ଝରେ ଅଶ୍ରୁ ସୌମିତ୍ରିଙ୍କ, ବାକ୍ୟ ନାହିଁ ମୁଖେ,

ବୋଧନ୍ତି ଭରତ ଭ୍ରାତେ ଦୁଃଖୀ ହୋଇ ଦୁଃଖେ ।

କହନ୍ତି, “ଶ୍ରୀଛାମୁ ତୁଲ୍ୟ ପ୍ରକୃତି–ରଞ୍ଜନ

ନାହିଁ, ନ ଥିଲା, ନୋହିବ ନିଖିଳ ଭୁବନ ।

ଏ ବୟସେ ବନେ ଯିବା ନୁହେଁ କୁଳରୀତି,

ନିଷ୍କଳଙ୍କ ଭାନୁବଂଶେ ରଟିବ ଅକୀର୍ତ୍ତି ।

 

ତୃତୀୟ ଆଶ୍ରମେ ବନେ ଯିବେ ତ ଆପଣ,

କାନନେ ସତୀଙ୍କ ସଙ୍ଗେ ହେବ ସମ୍ମିଳନ ।

ଋଷିଜନେ ଦେଖି ସୀତା ନେଇ ତପୋବନେ

ରଖିବେ ଆଶ୍ରମେ ତାଙ୍କୁ ଆଦରେ ଯତନେ ।

ବହ୍ନିସମା ମହାସାଧ୍ୱୀ ହିଂସ୍ରଜନ୍ତୁଗଣ

ଦେଖିଣ କରିବେ ପାଶୁଁ ନିଶ୍ଚେ ପଳାୟନ ।

ଜନକ ତନୁଜା ପୁଣ୍ୟବଳେ ଶକ୍ତିମତୀ,

କଦାପି ବିପଦେ ନ ପଡ଼ିବେ ମହାସତୀ ।”

 

ସପ୍ତମ ସର୍ଗ

ବନବାସ

ରଥ ଯହୁଁ ନେତ୍ରପଥୁଁ ହେଲା ଅନ୍ତର୍ହିତ,

ବାତାହତା ଲତା ପ୍ରାୟ ବୈଦେହୀ ମୂର୍ଚ୍ଛିତ ।

 

କେତେକ୍ଷଣେ ସଜ୍ଞା ଲଭି ତଳୁ ଉଠି ବସି,

କାନ୍ଦିଲେ କୁରରୀ ପରି ଶ୍ରୀରାମ–ପ୍ରେୟସୀ ।

ଶିରେ କର ମାରି ଉଚ୍ଚେ ବିଳପୁଁ ବିକଳେ

ଚାହିଁଲେ ଏଣୀଏ ତେଜି ସ୍ୱ–ତୃଣକବଳେ ।

“ହା ନାଥ ! କା ମୁଖ ଚାହିଁ ଯାପିବି ଜୀବନ ?”

ବୋଲି ବଇଦେହୀ ପୁଣି ହେଲେ ବିଚେତନ ।

କେତେକ୍ଷଣେ ଉଠି ପୁଣି ବିଦେହ–ଦୁଲଣୀ

ବିକଳେ କାନ୍ଦନ୍ତି ବନେ ଶ୍ରୀରାମଘରଣୀ,

‘ରାଜରାଣୀ ହୋଇଣ ମୁଁ କଲି ବନବାସ,

ବନେ ବନେ ବୁଲିଲି ମୁଁ ଚଉଦ ବରଷ ।

ହରିନେଇ ବନ୍ଦିକଲା ପାପିଷ୍ଠ ରାବଣ,

କଲା ଶୁଭ୍ର ସୂର୍ଯ୍ୟବଂଶେ କଳଙ୍କ ଲେପନ ।

ସୁଦୀର୍ଘ ବିଚ୍ଛେଦ ଅନ୍ତେ ସ୍ୱାମି–ସମ୍ମିଳନ,

ଅସମୟେ ହେଲା ପୁଣି ତାହା ତ ଖଣ୍ଡନ ।

ଦୁଃଖ ଭୁଞ୍ଜିବାକୁ ମୁହିଁ ପାଇଛି ଜୀବନେ,

ଆହା ରେ ଦଇବ ଏହା ଥିଲା ତୋର ମନେ !

 

କେମନ୍ତେ ବୁଡ଼ିବ ବେଳ ସରିବ ମୋ ଦିନ,

ନୀର ବିନା କେମନ୍ତେ ହା ବଞ୍ଚିବ ଏ ମୀନ ।

ଅନ୍ତର୍ଯ୍ୟାମୀ ପ୍ରଭୁ ତୁମ୍ଭେ କରୁଣହୃଦୟ,

କେମନ୍ତେ କଲ ଏ କାର୍ଯ୍ୟ ପ୍ରଭୁ ଦୟାମୟ !

ଶ୍ରୀକରେ ଅଭାଗୀ–ପ୍ରାଣ ଘେନିଥାନ୍ତି ଯେବେ,

ଭାଗ୍ୟବତୀ ବୋଲି ମୋତେ ମଣିଥାନ୍ତି ତେବେ ।

କେତେକାଳ ବହିବି ମୁଁ ଏ ଜୀବନଭାର,

ତୁମ୍ଭ ବିନା ଯାହା ପ୍ରଭୁ ବିଫଳ ଅସାର ।

ଚିରକାଳ ପ୍ରାଣେଶ୍ୱର ତେଜିଲ କି ସତେ,

କହ ତୁମ୍ଭ ବିନା ଦିନ ବଞ୍ଚିବି କେମନ୍ତ ?

ସରୋଜିନୀ ବଞ୍ଚଇ କି ମୃଣାଳବିଚ୍ଛିନ୍ନ,

ବଞ୍ଚଇ କି ପ୍ରଭୁ ମୀନ ହୋଇ ନୀର ହୀନ ?

 

ସୌଦାମିନୀ ପାରଇ କି ରହି ଘନ ବିନା,

ବର୍ତ୍ତଇ କି ଛାୟା କେବେ ହୋଇ କାୟାହୀନା ?

କେମନ୍ତେ କହ ହେ ନାଥ, ଶ୍ରୀପଦନଳିନ—

ଦର୍ଶନ–ବଞ୍ଚିତା ସୀତା ବଞ୍ଚିବ ତା ଦିନ ?

ଅଳପ କାଳରେ ପ୍ରଭୁ ତବ ଶ୍ରୀଚରଣ

ଲାଗିଲାଣି ମୋତେ ଯେହ୍ନେ ଅସ୍ପଷ୍ଟ ସ୍ୱପନ,

ଏ ଦୀର୍ଘ ଜୀବନପଥ ହୋଇ ଏକାକିନୀ

ଚାଲିବ ସହାୟହୀନା କେହ୍ନେ ଅଭାଗିନୀ,

କେଉଁ ପ୍ରାଣେ ଲକ୍ଷ୍ମଣ ହେ ନେଇଗଲ ରଥ,

କେଉଁ ଆଡ଼େ ଯିବି ଆହା ନ ଜାଣଇଁ ପଥ ।

ଆଶ୍ରତର ବଜ୍ରସେହ୍ନା ଶରଣପଞ୍ଜର,

ଏକାନ୍ତ ଅଧୀନା ଏହି ଦାସୀର ତୁମ୍ଭର

କିଏ ଏ ଗହନ ବନେ ହେବଟି ଆଶ୍ରୟ ?”

ବୋଲନ୍ତେ ବିଦୀର୍ଣ୍ଣ ଶୋକେ କାନନହୃଦୟ !

ଏ ସମୟେ ଆଦିକବି ବାଲ୍ମୀକି ମହଷ

ଦେଖିଲେ କାନ୍ଦନ୍ତି ବନେ ଶ୍ରୀରାମପ୍ରେୟସୀ ।

 

ପ୍ରଣମିଲେ ଋଷିପଦେ ହୋଇ ସୀତା ତୁନି,

ପ୍ରବୋଧି ଆଶ୍ରମପଦେ ଘେନିଗଲେ ମୁନି ।

ତାପସ–କୁମାରୀଚୟ ସଜଳନୟନ

ଅଞ୍ଚଳେ ପୋଛିଲେ, ବୋଲି ପ୍ରବୋଧବଚନ ।

ଯାପିଲେ ସନ୍ତାପେ ଦିନ ଶ୍ରୀରାମପ୍ରେୟସୀ,

କ୍ଷୀଣ ଦିନୁଦିନ ଯେହ୍ନେ କୃଷ୍ଣପକ୍ଷ–ଶଶୀ ।

କାଳକ୍ରମେ ଜାତ ହେଲେ ଯାମଳ ତନୟ,

ହର୍ଷେନିମଜ୍ଜତ ହେଲା ସଖୀଙ୍କ ହୃଦୟ ।

ପୁତ୍ରମୁଖ ଚାହୁ ସୀତା ବିଷାଦିତା ଅତି,

ଅବିରଳ ନେତ୍ରୁ ଧାରା ବରଷିଲେ ସତୀ ।

ଭାଳିଲେ, ଏ ସୁସଂବାଦେ ଅଯୋଧ୍ୟାଗଗନ

ଉତ୍ସବ–ବାଦିତ୍ରେ କମ୍ପୁଥାନ୍ତା ଘନଘନ ।

 

ଶୁକ୍ଳପକ୍ଷ ଶଶିପ୍ରାୟେ ବଢ଼ିଲେ ନନ୍ଦନ,

ସ୍ପର୍ଶସୁଖେ ନିମାଳିତ ଜାନକୀନୟନ ।

ଶୁଣି ପୁତ୍ରଙ୍କର ଦରୋଟିଆ ‘ମା ମା’ ସ୍ୱନ,

କୋଳେ ଧରି ମୁଖେ ସୀତା ଦିଅନ୍ତି ଚୁମ୍ବନ ।

ଭାଳନ୍ତି, “ମୋ କର୍ମଦୋଷେ ଅଭାଗା କୁମରେ,

ନୋହିଲେ ଥାଆନ୍ତେ ବସି ନରେଶ ଅଙ୍କରେ ।

ନିଜ ପୁତ୍ରେ ପ୍ରାଣେଶଙ୍କ କୋଳେ ଦେବା ସୁଖ

ହରିଛି ଦାରୁଣ ବିଧି ହୋଇଣ ବିମୁଖ ।”

ଯେତେ ଦିନ ନିଃସହାୟ ଥିଲେ ଦୁଇ ବାଳ,

ସେମାନଙ୍କ ଲାଳନରେ ଗଲା ବହି କାଳ ।

କାଳକ୍ରମେ ଜନନୀଙ୍କ ସତର୍କ ପାଳନ

ନୋହିଲା ଶିଶୁଙ୍କ ଆଉ ତେତେ ପ୍ରୟୋଜନ ।

ସେତେବେଳେ ହେଲେ ସୀତା କର୍ମଶୂନ୍ୟହସ୍ତା,

ବିଶେଷେ ଶ୍ରୀରାମେ ଝୁରି ହେଲେ ଶୋକଗ୍ରସ୍ତା ।

ଦିନ କାଟୁଥିଲେ ଋଷିକୁମାରୀସଙ୍ଗରେ

ବିଚ୍ଛେଦ–ବିଧୁରା ସୀତା ଦୁଃସହଦୁଃଖରେ ।

 

ରାମ ସହ ଘୋର ବନେ ପତିବ୍ରତା ସୀତା

କେତେ ସୁଖେ କାଳ କାଟୁଥିଲେ ବିନୋଦିତା ।

ସଖୀ–ପରିବୃତା ଭୟଶୂନ୍ୟ ତପୋବନ,

ନ ପାରେ କିପାଇଁ ମୋହି ମୈଥିଳୀଙ୍କ ମନ ।

ଧନ୍ୟରେ ପ୍ରଣୟ ଧନ୍ୟ ସଂସାରେ ସୁସାର,

ଅମୃତ–ନିଦାନ ପୁଣି ବିଷର ଆଧାର !

ଦିବସେ ତପସ୍ୟା କରି ଜନକତନୁଜା,

ମନାସି ଶ୍ରୀରାମ ଶୁଭ କଲେ ଦେବ–ପୂଜା ।

ବାଲ୍ମୀକି–ରଚିତ ମଧୁ ରାମାୟଣ–ଗୀତ

ଗାଇ ଲବକୁଶ ମୋହୁଥିଲେ ମାତା–ଚିତ୍ତ ।

ରାମ ସୀତା ଗୁଣରାଶି ପ୍ରଶଂସି ନନ୍ଦନେ

ଅପାର ଆନନ୍ଦ ଦେଉଥିଲେ ମାତା–ମନେ ।

 

ନିଜ ପରିଚୟ ଦେବାପାଇଁ ଜାନକୀଙ୍କି

ମନା କରିଥିଲେ ବେଳୁଁ ଋଷି ବାଲମୀକି ।

ରାତ୍ରି ଆସୁଁ କାଳ ଆସେ ପତିପ୍ରାଣା ସୀତା

ଦୁଃସହ ବିଷାଦେ ହେଉଥିଲେ ବିଚଳିତା ।

ଘନ ବର୍ଷାଋତୁ, ସାନ୍ଦ୍ର ତରୁ ଗିରି ବନ,

ତୁହାଇ ତୁହାଇ ବାରି ବରଷଇ ଘନ ।

ପଡ଼େ ପଲ୍ଲବରେ ନୀର ଝର ଝର ସ୍ୱନେ,

ଆନ୍ଦୋଳିତ ତରୁଲତା ଚଞ୍ଚଳ ପବନେ ।

ନିବିଡ଼ ନିଶୀଥେ ସର୍ବେ ଘୋର ନିଦ୍ରାଗତ,

ଏକାକିନୀ ରାମନାରୀ ଥାଆନ୍ତି ଜାଗ୍ରତ ।

ଦର ଦର ଧାରେ ସତୀ ନୟନରୁ ନୀର

ବହୁଥିଲା ଅବିଶ୍ରାନ୍ତଭାବେ ଦୁର୍ନିବାର ।

ଶୈଶବ–ନିଳୟ, ପୁଣି ଅଯୋଧ୍ୟ–ଜୀବନ,

ବନବାସ–କାଳ ସଙ୍ଗେ ରାବଣହରଣ,

ଶ୍ରୀରାମ ମଧୁର ମୂର୍ତ୍ତି ପ୍ରଣୟବଚନ

ବିକଳେ ବିଳାପି ସତୀ କରନ୍ତି ସ୍ମରଣ ।

 

ଶାରଦଚନ୍ଦ୍ରିକା ଦେଖି ବିରହିଣୀ ସୀତା

ଅଯୋଧ୍ୟା ପ୍ରାସାଦ–କ୍ରୀଡ଼ା ସ୍ମରି ବିଷାଦିତା ।

ବାତ–ଆନ୍ଦୋଳିତ କାଶଫୁଲ ଦରଶନେ

ଅଯୋଧ୍ୟା–ଶ୍ୱେତଚାମର ପଡ଼େ ରାଣୀମନେ ।

ଚକ୍ରବାକ–ପ୍ରେୟସୀର କରୁଣ ନିଃସ୍ୱନ

ଶୁଣି ସୀତା କରୁଥାନ୍ତି ତାକୁ ସମ୍ବୋଧନ ।

“ଯାମିନୀ ପାହିଲେ ହେବ ପ୍ରଣୟିମିଳନୁ,

ତେବେହେଁ ବିହଙ୍ଗି, ଏତେ କରୁ ଲୋ ରୋଦନ ।

ଆମରଣ କାଳ ହୋଇ ପତି–ବିରହିତା,

ନିଷ୍ଠୁର ପରାଣେ ମୁହିଁ ରହିଛି ଜୀବିତା ।”

ଶିଶିର–ନିଶାରେ ପିନ୍ଧି ବଳକ୍‌ଳ–ବସନ

ଶ୍ରୀରାମଙ୍କ ଅଙ୍କ ସତୀ କରନ୍ତି ସ୍ମରଣ ।

 

ନବୀନ ବସନ୍ତେ ରାବେ “କୁହୁ କୁହୁ” ପିକ

ସେ ସ୍ୱନ ଶ୍ରବଣେ ହୁଏ ବିଷାଦ ଅଧିକ ।

ମଳୟ ବହନ୍ତେ ତରୁ ଲତା ପଲ୍ଲବିତ,

କୋଟିଗୁଣେ ସୀତା–ଶୋକ ହୁଏ ଉଚ୍ଛଳିତ ।

ଭାଳନ୍ତି କରନ୍ତେ ଏ ବସନ୍ତ ଆଗମନ

କମନୀୟ କିଶଳୟ–କୁସୁମେ କାନନ ।

ମୋ ପ୍ରାଣେ ବସନ୍ତି ବାୟୁ ନ ରହିବି ଆଉ,

ସୃଷ୍ଟିଛଡ଼ା ମୋହଠାରେ ଦୁର୍ଭାଗ୍ୟର ଦାଉ !

ଚଞ୍ଚଳ ବାରିଦମାଳା ବିଧୁକୁ ଅନାଇ

ନିଦାଘକାଳର ନିଶା ଯାଉଥାଏ ପାହି ।

ଭାଳନ୍ତି ଗଗନେ ଚାହିଁ ଶ୍ରୀରାମବନିତା —

“ଦୁଃଖ ସୁଖେ ସିନା ସୃଷ୍ଟି ରହିଛି ପୂରିତା ।

ନୀରଦପଟଳ କ୍ଷଣେ ଚନ୍ଦ୍ରେ ଆବରନ୍ତି,

ମୁକ୍ତ କରି ପରକ୍ଷଣେ ଦିଗନ୍ତେ ଗମନ୍ତି ।

ସୁଖ ପରେ ଦୁଃଖ ପୁଣି ଦୁଃଖ ପରେ ସୁଖ,

ମୁହିଁ ଏକାକିନୀ ଭୁଞ୍ଜିବଇଁ ଚିରଦୁଃଖ ।

 

ମୋ ଦୁଃଖ–ମେଘର ଆଉ ନୋହିବ ମୋଚନ,

ମୋ ସୁଖଚନ୍ଦ୍ରମା ଚିରକାଳ ମେଘାଚ୍ଛନ୍ନ ।

ଦିନ ସରୁ ନାହିଁ ମୋର ବେଳ ବୁଡ଼ୁ ନାହିଁ !

ଆହା ମୋର ପ୍ରାଣେଶ୍ୱର ରହିଛନ୍ତି କାହିଁ ।

ଦଗ୍‌ଧନେତ୍ରେ ଦେଖନ୍ତି ମୁଁ ବାରେ ଶ୍ରୀଚରଣ,

ଲାଗୁଅଛି ମୋତେ ଯାହା ଅପୂର୍ବ ସ୍ୱପନ ।

ଜାଣିଥାନ୍ତ ଯେବେ ସ୍ୱାମି, ଦାସୀର ଏ ମନ,

ପର କଥାରେ କି ମୋତେ କରନ୍ତି ବର୍ଜ୍ଜନ ?

ପ୍ରତିବିନ୍ଦୁ ରକ୍ତେ ମୋର ତୁମ୍ଭରି ପ୍ରଣୟ,

କେମନ୍ତେ ଦାସୀଙ୍କ ପାସୋରିଲ ଦୟାମୟ !”

ଅତି ଦୁଃଖେ ମହାସତୀ କ୍ଷଣେ ଗଲେ ଝାମ,

ଦେଖିଲେ ଅଯୋଧ୍ୟାପୁରେ ରଘୁପତି ରାମ

 

କାନ୍ଦୁଛନ୍ତି ମହାଶୋକେ–ସୀତା ଗୁଣ ଗୁଣି,

ପାଷାଣ ତରଳି ଯିବ ସେ ବିଳାପି ଶୁଣି ।

ବିଷର୍ଣ୍ଣ–ଆନନ ରାମ ଅବସନ୍ନ–ମନ,

ମଉଳି ଯାଉଛି ରୂପ କ୍ଷୀଣ ଅପଘନ ।

ମୁକୁଟର ମଣି–ଜ୍ୟୋତି ଦିଶୁଛି ମଳିନ,

ଅଯୋଧ୍ୟାର ଶିରୀ ତୁଟି ଦିଶେ ଦୀନହୀନ ।

କାହା ମୁଖେ ହସ ମନେ ସୁଖ ଆଉ ନାହିଁ,

ଏଡ଼େ ବଡ଼ ପୁରୁଁ ସୁଖ ଗଲା ଆହା କାହିଁ !

ସରଯୂ ତଟିନୀ ତଟେ ନିଶାଶେଷଯାମେ

ଦିଅନ୍ତି ବଶିଷ୍ଠ ଋଷି ସାନ୍ତ୍ୱନା ଶ୍ରୀରାମେ ।

“ଶରୀର–ସମ୍ପର୍କ ସିନା ତୁଟିଛି ରାଜନ,

ଆତ୍ମା–ଆତ୍ମା ମଧ୍ୟେ ଅଛି ଅଚ୍ଛେଦ୍ୟ ବନ୍ଧନ

ପ୍ରଜା ପାଳି କରୁଅଛ କୀର୍ତ୍ତି ପୁଣ୍ୟାର୍ଜ୍ଜନ,

ଭବିଷ୍ୟତ ରାଜା ସୀତା କରନ୍ତି ପାଳନ ।

କଠୋର କର୍ତ୍ତବ୍ୟ–ଯୋଗେ ମହାରାଜ ବ୍ରତୀ,

କୋମଳ ଭକତି–ଯୋଗେ ରତ ମହାସତୀ ।

 

ବେନି ସମଧର୍ମୀ ଦୁଇ ଯୋଗ ଏକ ମିଳି

କର୍ମଫଳ ସଞ୍ଚୁଅଛ ରାଘବମୈଥିଳୀ ।

ସେ ପୁଣ୍ୟ ମହିମା କେଭେଁ ନୋହିବ ମଳିନ,

ଯୁଗ ଯୁଗାନ୍ତର ତାହା ରହିବ ଅକ୍ଷୁର୍ଣ୍ଣ ।

ଦେଶଦେଶାନ୍ତର ତାହା ହେବ ବିସ୍ତାରିତ,

ସର୍ବତ୍ର ସର୍ବଦା ହେବ ସର୍ବଥା ବନ୍ଦିତ ।

ସର୍ବଶ୍ରେଷ୍ଠ ସେ ଆଦର୍ଶ ଜାଣି ଏ ଭୁବନେ

ଜୀବନ–ତରଣୀ ଚଳାଇବେ ଧରା–ଜନେ ।

କୀର୍ତ୍ତିମୟ ଜୀବନ ତ ଏ ସଂସାରେ ସାର

ଶରୀର–ସମ୍ପର୍କ ବଡ଼ ନୁହେ ଦୁନିଆର ।”

ଦିନ ପରେ ଦିନ ଯାଏ, ମାସ ପରେ ମାସ,

ବର୍ଷ ପରେ ବର୍ଷ, ନୁହେଁ ବିଷାଦର ହ୍ରାସ ।

 

ଏହିପରି ବାର ବର୍ଷେ ପତିପ୍ରାଣା ସୀତା

ଶିଶିର–ପଦ୍ମିନୀ ପ୍ରାୟେ ହେଲେ ନିମୀଳିତା !

ପାପିଷ୍ଠ ସଂସାର ଧିକ ଧିକ ତୋ ବିଚାରେ,

ବନବାସେ ବୈଦେହୀଙ୍କୁ ଦେଖ ଆସି ବାରେ ।

କଳଙ୍କିନୀ ନୁହନ୍ତି ରେ ସତୀ ବଇଦେହୀ,

ତାହାର ପ୍ରମାଣ ନିଜେ ଅଟନ୍ତି ରେ ସେହି ।

 

ଅଷ୍ଟମ ସର୍ଗ

ଅଶ୍ୱମେଧ ଯଜ୍ଞ

କାଳକ୍ରମେ ଲବ କୁଶେ ଏକାଦଶ ବର୍ଷେ

ବହୁ ଶାସ୍ତ୍ର ଶିକ୍ଷା ଦେଲେ ଋଷି ମହାହର୍ଷେ ।

ବୟସ ଦ୍ୱାଦଶ ବର୍ଷ ହେଲା ପୁତ୍ରଙ୍କର,

ଦେଖିଣ ବାଲ୍ମୀକି ମୁନି ଚିନ୍ତିନ୍ତ–ଅନ୍ତର ।

ଉପସୁକ୍ତ ଅସ୍ତ୍ରଶସ୍ତ୍ର ଶିକ୍ଷା କ୍ଷତ୍ରିୟର

ତପୋବନେ ରହି ପାଇ ନାହାନ୍ତି କୁମର ।

 

ଅଯୋଧ୍ୟା–ନରେଶ ସୀତା କଲେ ନିର୍ବାସନ,

କରିବେ କି ନାହିଁ ସୀତାପୁତ୍ରଙ୍କୁ ଗ୍ରହଣ ?

କିପରି ଏ ଦୁହିଙ୍କର ଦେବି ପରିଚୟ ।

ଏମନ୍ତ ବିଚାରେ ଋଷି ଚିନ୍ତିତହୃଦୟ ।

ଏ ସମୟେ ଶ୍ରୀରାମଙ୍କ ଘେନି ନିମନ୍ତ୍ରଣ

ଦୂତ ଏକ ଆଶ୍ରମକୁ କଲା ଆଗମନ,

ଗୋମତୀତଟରେ ପୁଣ୍ୟ ନୈମିଷ ଅରଣ୍ୟେ

ଅଶ୍ୱମେଧ ଯଜ୍ଞେ ବାଲ୍ମୀକିଙ୍କ ଆମନ୍ତ୍ରଣେ ।

ଆମନ୍ତ୍ରଣ ଘେନି ଋଷି ଅତିଥିସତ୍‌କାର

କରିଣ ପୃଚ୍ଛିଲେ ସର୍ବବାର୍ତ୍ତା ଅଯୋଧ୍ୟାର ।

ପଚାରିଲେ ଦୂତେ ଋଷି, “ମହାରାଜ ରାମ

ଏକପତ୍ନୀବ୍ରତ, ପୁଣ୍ୟମନା ସତ୍ୟକାମ ।

 

ପତ୍ନୀହୀନ–ଯଜ୍ଞକାର୍ଯ୍ୟ ନିଷିଦ୍ଧ ଶାସ୍ତ୍ରରେ,

ରାଜା କି ବିବାହ କଲେ ବ୍ରତ ଉଦ୍ଦେଶ୍ୟରେ ?”

କହଇ ସନ୍ଦେଶହର “କୁଳପୁରୋହିତ

ବହୁ ଅନୁରୋଧ କଲେ ବିବାହ ନିମିତ୍ତ ।

ଅଟଳପ୍ରତିଜ୍ଞା ରାମ ନୋହିଲେ ସମ୍ମତ,

ହିରଣ୍ମୟୀ ସୀତା ଗଢ଼ି କଲେ ଯଜ୍ଞବ୍ରତ ।”

ଏ ସମୟେ ଲବ କୁଶ ରାମାୟଣ ଗାଇ

ରାମ ଗୁଣ ଗୁଣି ଆନନ୍ଦିତ ଦୁଇ ଭାଇ ।

ଦୂତଠାରୁ ଶ୍ରୀରାମଙ୍କ ସର୍ବ ସମାଚାର ।

ଶୁଣି ପ୍ରଶଂସିଲେ ମନେ ତାହାଙ୍କୁ ଅପାର

“ଧନ୍ୟ ଧନ୍ୟ” ବାଣୀ ଭାଷି ଉଭୟ କୁମରେ

ବିଳମ୍ବେ ମିଳିଲେ ଯାଇଁ ଜନନୀ ପାଶରେ ।

ଅସ୍ଥିର ଅନ୍ତରେ ସୀତା ପର୍ଣ୍ଣକୁଟୀଦ୍ୱାରେ

ଉଭା ହୋଇଛନ୍ତି ପୁତ୍ରଙ୍କର ପ୍ରତୀକ୍ଷାରେ ।

ବ୍ୟାକୁଳା ଶ୍ରୀରାମ–ନାରୀ କିପାଇଁ କୁମରେ

ବାହୁଡ଼ିଲେ ନାହିଁ ଆଜି ଯଥାସମୟରେ ।

 

ଏ ସମୟେ ଲବ କୁଶ ହାସ ପରିହାସେ

ଆନନ୍ଦେ ମିଳିଲେ ଆସି ଜନନୀଙ୍କ ପାଶେ ।

ପୁତ୍ରେ କୋଳେ ଧରି ସୀତା ଦିଅନ୍ତି ଚୁମ୍ବନ,

ସସ୍ନେହେ ବୋଲନ୍ତି ମାତା ଆଦର–ବଚନ ।

“ଦରିଦ୍ରସଙ୍ଖାଳି ମୋର ଅନ୍ଧର ଲଉଡ଼ି;

ସୁବର୍ଣ୍ଣର ଅଣ୍ଟାସୂତା, ଚମ୍ପାର ଚାଙ୍ଗୁଡ଼ି,

ରଙ୍କୁଣୀ–ରତନ ମୋର ମହୁଡ଼ର ମଣି,

ନୟନପିତୁଳା ତୁମ୍ଭେ ମୋ ଅଫିଟା ଖଣି ।

ଏତେବେଳଯାଏ ଆଜି ଥିଲ କେଉଁଠାରେ,

କେତେବେଳୁଁ ବସିଅଛି ତୁମ୍ଭ ପ୍ରତୀକ୍ଷାରେ ।”

କହନ୍ତି ଯାମଳ ଭାଇ “ଶୁଣ ଗୋ ଜନନି,

ରାମାୟଣ–ନାୟକ ଯେ ରାମ ରଘୁମଣି ।

 

ପବିତ୍ର ନୈମିଷାରଣ୍ୟେ ଗୋମତୀତଟରେ

କରୁଛନ୍ତି ଅଶ୍ୱମେଧ ମହା ଆଡ଼ମ୍ବରେ ।

ଗୁରୁଙ୍କ ଆମନ୍ତ୍ରିଛନ୍ତି ଅଯୋଧ୍ୟା ନୃପତି,

ଶ୍ରୀରାମ ଦର୍ଶନେ ମାତଃ ଇଚ୍ଛା ହୁଏ ଅତି ।”

ପତ୍ନୀହୀନ ହୋଇ ଯଜ୍ଞ ନ କରନ୍ତି କେହି—

ଭାବି ବଜ୍ରାହତା ହେଲେ ସତୀ ବଇଦେହୀ ।

ହେଲେହେଁ ଗହନବନେ ନିର୍ବାସୀତା ସତୀ,

ଜାଣନ୍ତି ସ୍ୱାମୀଙ୍କ ପ୍ରେମ ଅଛି ତାଙ୍କ ପ୍ରତି ।

ଜନ–ଅପବାଦେ ସିନା ଡରିଲେ ଶ୍ରୀରାମ,

ତଥାପି ସ୍ମୃତିରୁ ଲିଭି ନାହିଁ ସୀତାନାମ ।

ଯଜ୍ଞ କଥା ଶୁଣି ସୀତା ରହିଲେ ବିସଣ୍ଣେ

ରାମ ବିବାହିତ ହେଲେ ଭାଳି ନିଜ ମନେ ।

ଜନନୀଙ୍କୁ ନିରୁତ୍ତରା ଦେଖି ବେନି ଭାଇ

କହନ୍ତି, “ଜନନି, କେଭେ ନ କର ଗୋ ନାହିଁ

ଶ୍ରୀରାମ ନୃପତି ଆହା କେଡ଼େ ନ କର ଗୋ ନାହିଁ

ଶ୍ରୀରାମ ନୃପତି ଆହା କେଡ଼େ ଗୁଣବାନ !

ଏ ଜଗତେ ନାହିଁ କେହି ତାହାଙ୍କ ସମାନ ।

 

ପିତୃସତ୍ୟ ପାଳି ରାମ ଗଲେ ଘୋରବନ,

ବନମଧ୍ୟେ କଲେ ବୀର ଦୁର୍ବୃତ୍ତ ଶାସନ ।

ପ୍ରକୃତିରଞ୍ଜନ ପାଇଁ ସ୍ୱପ୍ରାଣ–ପ୍ରେୟସୀ

ଦେଲେ ବନ–ନିର୍ବାସନେ ରଘୁକୁଳଶଶୀ ।

ଇଚ୍ଛା କରିଥିଲେ ତିଳେ ରାମ ରଘୁମଣି

ପାରନ୍ତେ ବିବାହ କରି ସହସ୍ର ରମଣୀ ।

କିନ୍ତୁ ନିର୍ବାସିତା–ସୀତା–ସୁବର୍ଣ୍ଣ–ମୂରତୀ

ଗଢ଼ାଇଣ କରୁଛନ୍ତି ଯଜ୍ଞ ସୀତାପତି ।”

ସୁବର୍ଣ୍ଣ–ବିଗ୍ରହ କଥା ଶୁଣି ସତୀ ସୀତା

ରାମ–ପ୍ରେମ ସ୍ଥିର ଜାଣି ହେଲେ ଆନନ୍ଦିତା ।

ସୌଭାଗ୍ୟ–ଗର୍ବରେ କ୍ଷଣେ ରାଘବପ୍ରେୟସୀ

ବନବାସ କଷ୍ଟରାଶି ବିସୋରିଲେ ହସି ।

 

ଏ ସମୟେ ବାଲମୀକି ସେଠାରେ ମିଳିଲେ,

“କି ଅଳି କରନ୍ତି ପିଲା ବୋଲି ପଚାରିଲେ ।

କରନ୍ତି ଉତ୍ତର ଶୁଣି, ରାଜନିମନ୍ତ୍ରଣ

ଆସିଅଛି, ଯଜ୍ଞେ ଆମ୍ଭେ କରିବୁଁ ଗମନ ।

ତବ ସୁତେ ବତ୍ସେ ତହିଁ ଯିବୁଁ ସଙ୍ଗେ ଘେନି ।”

ଜନନୀସ୍ୱୀକାରେ ଯଜ୍ଞେ ଗଲେ ସୂତ ବେନି ।

କହିଲେ ବାଲ୍ମୀକି ଋଷି, “ଯଜ୍ଞସ୍ଥାନେ ଯିବ,

ମଧୁତାନେ ରାମାୟଣ ଗାଇଣ ବୁଲିବ ।

ସିଂହଦ୍ୱାରେ, ଯଥାତଥା କରିବ ଗାୟନ,

ନୃପତି ଡାକିଲେ ତହିଁ କରିବ ଗମନ ।

କହିଲେ ସମ୍ମୁଖେ ତାଙ୍କ କରିବ ଗାୟନ,

ବିଶେଷରେ ରାମସୀତା–ପ୍ରଣୟ–ବର୍ଣ୍ଣନ ।

ଚାଞ୍ଚଲ୍ୟ କରିବ ତ୍ୟାଗ, ଲୋଭ ସମ୍ବରଣ,

କରିବ ମୁହୁତ୍ତ୍ୱ ନୃପ ପାଶେ ପ୍ରଦର୍ଶନ ।”

 

ନବମ ସର୍ଗ

ଯଜ୍ଞସଭା

ନେମିଷ–ଅରଣ୍ୟେ ଆଜି ଘୋର କୋଳାହଳ,

ଗହ ଗହ ଚଉଦିଗେ ଶୁଭଇ ଚହଳ ।

ଅଶ୍ୱମେଧ କରୁଛନ୍ତି ଚକ୍ରବର୍ତ୍ତୀ ରାମ,

ଦେଶେ ଦେଶେ ପ୍ରଳୀର୍ତ୍ତିତ ପୁଣ୍ୟ ରାମନାମ ।

ଏମନ୍ତ ସମୟେ ଆସି କହେ ବାର୍ତ୍ତାହର,

“ଶୁଣିବାକୁ ଆଜ୍ଞା ହେଉ ରାଜରାଜେଶ୍ୱର !

ବାଲ୍ମୀକି ଋଷିଙ୍କ ଶିଷ୍ୟ ଯାମଳ ସୋଦର,

ତରୁଣ ବୟସ ତନୁ ଅପୂର୍ବ ସୁନ୍ଦର ।

ବୀଣା ସଙ୍ଗେ ମିଶାଇଣ ବୀଣାଜିଣା ସ୍ୱନ

କରୁଛନ୍ତି ରାମାୟଣ–ସଙ୍ଗୀତ ଗାୟନ ।

 

ଶୁଣିଣ ପାଷାଣ–ମନ ହେଉଛି ଗଳିତ,

ଯେହୁ ଶୁଣୁଅଛି ସେହୁ ହେଉଛି ମୋହିତ ।

ବାଲ୍ମୀକି ରଚିତ ତବ ଅପୂର୍ବ କୀରତି

ଶୁଣିବାକୁ ମହାରାଜ ହେଉ ଅନୁମତି ।”

ତାହା ଶୁଣି ନରେଶ୍ୱର ବରଗିଲେ ଦୂତ,

ଆଜ୍ଞା ଦେଲେ “ସଭା ମଧ୍ୟେ ଆଣ ଋଷିସୁତ ।”

ରାଜସମୀପକୁ ଆସି ଗାଇଲେ କୁମରେ

ରାଜ–ଆଜ୍ଞାମତେ ରାମାୟଣ ମଧୁସ୍ୱରେ ।

ଯେଉଁଠାରେ ସୀତା ରାମ ପ୍ରେମର ବର୍ଣ୍ଣନ,

ଗୁରୁ ଆଜ୍ଞା ସ୍ମରି ତାହା କଲେ ସେ ଗାୟନ ।

ଶୁଣି ରାମ ମନେ ମନେ ହୋଇଲେ ବ୍ୟଥିତ;

ଫାଟିଯାଏ ଏ ବକ୍ଷ କିବା ଦଗ୍‌ଧ ହୁଏ ଚିତ୍ତ !

ସଭାରେ ବହୁତ ବେଳ ରାମ ରଘୁବୀର

ନ ପାରିଲେ ବସି, ଶୋକେ ହେଲେ ସେ ଅଧୀର ।

ପ୍ରକାଶ୍ୟେ ଜଣାଇ ତୁଷ୍ଟି ଶ୍ରୀରାମ ନରେଶ

ବହୁ ଅର୍ଥ ଦାନେ କଲେ ଲକ୍ଷଣେ ଆଦେଶ ।

 

ଦାନ–କଥା ଶୁଣି ଶିଷ୍ୟେ କହନ୍ତି ବଚନ,

“ବନେ ଥାଉଁ, ବନଫଳ କରିଣ ଭକ୍ଷଣ,

ସୁବର୍ଣ୍ଣ ନେଇଣ କି କରିବୁଁ ଆମ୍ଭେମାନେ,

କାନନେ ରଖିବୁ ତାହା ନେଇ କେଉଁ ସ୍ଥାନେ ?”

ରାମ “ଧନ୍ୟ, ଧନ୍ୟ” ଭାଷି ପର ଦିବସରେ

ସମସ୍ତ ଶୁଣିବେ କହି ଗଲେ ଶଯ୍ୟା–ଘରେ ।

ଝୁରିଲେ ସୀତାଙ୍କୁ ରାମ ଲୋଟିଣ ଶଯ୍ୟାରେ,

ଯାମିନୀ ଯାପିଲେ ରାଜା ଶୋକ–ହାହାକାରେ ।

ଋଷିଶିଷ୍ୟ ବେନିଠାରେ ତେଜଃ କ୍ଷନ୍ତ୍ରିୟର,

ସୀତାଙ୍କ ନୟନ ଠାଣି, ଗଠନ ନିଜର

ଦେଖି ରାମ ଗର୍ଭବତୀ ସୀତାଙ୍କୁ ସ୍ମରଣ

କରି ମନେ କଲେ “ଏ କି ଜାନକୀନନ୍ଦନ ?”

 

ପୁଣି ସେ ପାଞ୍ଚନ୍ତି, ସ୍ୱଚ୍ଛସ୍ରୋତା ନଦୀ ତ୍ୟଜି

କଳ୍ପନା–ମରୀଚିକାରେ କିପାଁ ଅଛି ମଜ୍ଜି !

ଆଶାୟୀ ସମସ୍ତ ସିନା ମଣେ ଆତ୍ମଗତ,

କଳ୍ପନା–କନକ–ଚଡ଼େ ଶୋଇଣ ଉଷତ ।

ଭାଳନ୍ତି ଶ୍ରୀରାମ ଯେବେ ଋଷି ଶିଷ୍ୟଗଣ

ହୋଇଥିବେ ଜାନକୀଙ୍କ ଯାମଳ ନନ୍ଦନ,

ତପୋବନେ ଥିବ ଯେବେ ପ୍ରେୟସୀ ଜୀବନେ,

ପ୍ରତିଗ୍ରହ କରିବି ମୁଁ ସମାତା ନନ୍ଦନେ ।

ପୁଣି ବିଚାରନ୍ତି ରାମ ରାଜ୍ୟ–ପ୍ରଜାମାନ

ପ୍ରତିଗ୍ରହେ ନ କଲେ ସେ ସମ୍ମତି ପ୍ରଦା ,

କିପରି ପ୍ରିୟାଙ୍କୁ ମୁହିଁ କରିବି ଗ୍ରହଣ,

ବ୍ୟର୍ଥ ହୋଇଯିବ ସିନା ଦୁହିଙ୍କ କଷଣ ।

ଯେଉଁ ଅପଯଶ ଭୟେ ମୁଁ ନିଷ୍ଠୁର ମନେ,

ନିର୍ବାସିଲ ପ୍ରେୟସୀଙ୍କୁ ଗହନ କାନନେ,

ସେହି ଅପବାଦ ଯେବେ ଘୋଷିବ ସଂସାର,

କାହିଁକି ସହିଲେ ସୀତା ଯାତନା ଅପାର ?

 

ନୋହିଲେ ଭରତେ କରି ରାଜ୍ୟ ସମ୍ପ୍ରଦାନ

ବାନପ୍ରସ୍ଥେ ସୀତା ସହ କରିବି ପ୍ରସ୍ଥାନ ।

“ଅସତୀ ଭାର୍ଯ୍ୟାର ପାଇଁ ରାଜ୍ୟ ସିଂହାସନେ

ତ୍ୟଜି ରାମଚନ୍ଦ୍ର ଗଲେ ବନନିର୍ବାସନେ ।

ଭାର୍ଯ୍ୟା ପାଇଁ ସ୍ୱକର୍ତ୍ତବ୍ୟ ଏଡ଼ିଲେ ଶ୍ରୀରାମ,”

ଏ କଳଙ୍କେ ହେବ ଚିର ଲେପିତ ମୋ ନାମ ।

ହାୟ ! ରାଜସିଂହାସନେ କି ବିପଦ ଦୁଃଖ,

ଏ ଜଗତେ ନୃପତିର ନାହିଁ ତିଳେ ସୁଖ ।

ଏହିପରି ଭାଳୁଁ ଭାଳୁଁ ପାହିଲା ରଜନୀ,

ନିତ୍ୟକୃତ୍ୟେ ବ୍ରତୀ ହେଲେ ରାମ ରଘୁମଣି ।

 

ଦଶମ ସର୍ଗ

ରାମାୟଣ ଗୀତ

ଆରୋହି ମରୀଚିମାଳି ସ୍ୱର୍ଣ୍ଣ–ରବିରଥେ

ଆରମ୍ଭିଲେ ଦୈନନ୍ଦିନ ଯାତ୍ରା ଶୂନ୍ୟପଥେ ।

ଜନସ୍ରୋତ ବହେ ପଥେ ପ୍ରାବୁଟେ ଯେସନ,

ସିନ୍ଧୁମୁଖେ ମହାନଦୀ କରଇ ଧାବନ ।

ଲୋକେ ଲୋକାରଣ୍ୟ ଆଜି ଯଜ୍ଞ ସଭାସ୍ଥାନ,

ଯଜ୍ଞପୀଠେ ହେବ ଆଜି ରାମାୟଣ ଗାନ ।

ଜନକଳନାଦେ ପୂର୍ଣ୍ଣ ଗୋମତୀର ତୀର,

ମଧୁଚକ୍ରେ ଲେଷ୍ଟ୍ରପାତ ସମାନ ଅସ୍ଥିର ।

କଟାକ୍ଷେ ସେ ଜନସିନ୍ଧୁ ରହିଲା ତଟସ୍ଥେ,

ନିଶ୍ୱାସ ନେବାକୁ ଯେହ୍ନେ ସଶଙ୍କ ସମସ୍ତେ ।

ମେଘାସନ ଗିରି ସମ ଅବିଚଳ ଧୀର,

କୀଚକ ମୁକୁଟଶିର ରାମ ରଘୁବୀର,

ହୈମସିଂହାସନେ ରାଜା ଉପବିଷ୍ଟ ଯାଇଁ,

ବସିଲେ ଦକ୍ଷିଣପାର୍ଶ୍ୱେ ଅନ୍ୟ ତିନି ଭାଇ ।

 

ବଶିଷ୍ଠ, କାଶ୍ୟପ, ବାମଦେବ ସୁମନ୍ତ୍ରାଦି,

ସୁଗ୍ରୀବ, ଅଙ୍ଗଦ, ହନୁ, ବିଭୀଷଣ ଆଦି

ଅନ୍ୟ ପାର୍ଶ୍ୱେ କୌଶଲ୍ୟାଦି ବୃଦ୍ଧା ରାଣୀଗଣ,

ଉର୍ମିଳା, ମାଣ୍ଡବୀ, ଶ୍ରୁତକୀର୍ତ୍ତି ବଧୂଜନ;

ଯଥାସ୍ଥାନେ ଅବହିତଭାବେ ଉପବିଷ୍ଟ,

ସଶିଷ୍ୟ ବାଲ୍ମୀକି ଋଷି ସଭାରେ ପ୍ରବିଷ୍ଟ ।

ସସମ୍ମାନେ ଉଭା ହେଲେ ସର୍ବ ସଭାଜନ,

ବାଲ୍ମୀକି ସଶିଷ୍ୟ କଲେ ଆସନ ଗ୍ରହଣ ।

ଶ୍ରୀରାମଙ୍କ ଅନୁରୋଧେ ବାଲ୍ମୀକି–ଆଦେଶେ

ରାମବେନିସୁତ ବେନି ଋଷି–ଶିଷ୍ୟବେଶେ

ମଧୁ ରାମାୟଣ ଗୀତ ମଧୁତାନେ ଗାଇ

ମୋହିଲେ ସକଳେ ଲବ କୁଶ ବେନି ଭାଇ ।

 

ରାମ–ଲକ୍ଷ୍ମଣାଦି–ଜନ–ବାଳକ୍ରୀଡ଼ା ଶିକ୍ଷା,

ଯଜ୍ଞରକ୍ଷା ଅର୍ଥେ ବିଶ୍ୱାମିତ୍ର–ରାମଭିକ୍ଷା,

ତାଡ଼କା–ସୁବାହୁ–ବଧ, ଶିବଧନୁର୍ଭଙ୍ଗ,

ସୀତା ଉର୍ମିଳା ଆଦିଙ୍କ ବିବାହ–ପ୍ରସଙ୍ଗ,

ପଥେ ପର୍ଶୁରାମ ଜୟ, ଅଯୋଧ୍ୟାଗମନ,

ରାମାଭିଷେକ–ପ୍ରସ୍ତାବ, କୈକେୟୀ ମନ୍ତ୍ରଣ,

ରାମବନବାସ, ଚିତ୍ରକୂଟଗିରିବାସ,

ସୁମନ୍ତ୍ର–ପ୍ରତ୍ୟାଗମନ, ଦଶରଥ–ନାଶ;

ପଞ୍ଚବଟୀବାସ, ସୃର୍ପଣଖା ଆଗମନ,

ଖର–ଦୂଷଣ–ତ୍ରିଶିରା–ରାକ୍ଷସ ନିଧନ,

ସୁବର୍ଣ୍ଣର ମାୟାମୃଗ, ବୈଦେହୀ ହରଣ,

ମିତ୍ରତା ସୁଗ୍ରୀବ ସହ, ବାଳିବିନାଶନ,

ସୀତାଠାବ, ସିନ୍ଧୁପାର, ଲଙ୍କାଗଡ଼ରଣ,

ଜାନକୀ–ଉଦ୍ଧାର–ଅଗ୍ନି ପରୀକ୍ଷା–ଗ୍ରହଣ,

ବିଭୀଷଣ–ଅଭିଷେକ, ଅଯୋଧ୍ୟାଗମନ,

ସୀତାସହ ସିଂହାସନେ ରାମ–ଆରୋହଣ,

ପ୍ରଜାଜନ–ଅପବାଦେ ସୀତା ବନବାସ—

ଶୁଣି ରାମ ତ୍ୟାଗ କଲେ ବିଶାଦ–ନିଶ୍ୱାସ ।

 

ଏକାଦଶ ସର୍ଗ

ଲବକୁଶ ପରିଚୟ

ବଧୁ ଦୁଃଖେ ସନ୍ତାପିତା ଶ୍ରୀରାମଜନନୀ,

ଅଧୀର ହୋଇଣ ଶୋକେ ପଡ଼ିଲେ ଅବନୀ ।

‘ଆହା ସୀତେ ।’ ବୋଲି ମାତା ହେଲେ ଅଚେତନ,

ସୁମିତ୍ରା ଉର୍ମିଲା ଆଦି କଲେ ସଚେତନ ।

କହନ୍ତି ଚେତନା ପାଇ ଦୁଃଖେ ବୃଦ୍ଧା ରାଣୀ,

“ଶ୍ରୀରାମଗଠନ ସୀତାନୟନର ଠାଣି ।

 

ସ୍ପଷ୍ଟରୂପେ ଦେଖେଁ ମୁହିଁ ଏ ବେନି ବାଳୁତେ,

ନିଶ୍ଚୟ ଅଟନ୍ତି ସୀତାପୁତ୍ର ବେନି ସୁତେ ।”

ଲକ୍ଷ୍ମଣେ ଡକାଇ ମାତା କହନ୍ତି ବଚନ,

“ଜଣାଯାଏ ମୋତେ ଏହୁ ଶ୍ରୀରାମନନ୍ଦନ ।”

ନିଜେ ସଉମିତ୍ରି ଏହା ପାଞ୍ଚିଥିଲେ ମନ,

ବଶିଷ୍ଠ, ଭରତ, ନିଜେ ରାଜା, ଶତ୍ରୁ ଘନ ।

ସଭା ଭାଙ୍ଗି ସଉମିତ୍ରି ଉଭୟ କୁମରେ

ଆଣି ଉଭା କରାଇଲେ କୌଶଲ୍ୟା ପାଶରେ ।

ଅତି ସ୍ନେହେ ରାଣୀ ତାଙ୍କୁ କୋଳେ ବସାଇଲେ,

ନାମ ଧାମ ପିତାମାତା ନାମ ପଚାରିଲେ ।

ଉତ୍ତରିଲେ ବେନି ଭାଇ, “ଜାହ୍ନବୀ–ତଟରେ

ବାଲ୍ମୀକି ଋଷିଙ୍କ ତପୋବନର ଭିତରେ

ଥାଉଁ ଆମ୍ଭେ ବାଲ୍ମୀକିଙ୍କ ଶିଷ୍ୟ ଦୁଇ ଭାଇ,

ଜନନୀ ଜାନକୀ, ଆଉ କିଛି ଜାଣୁ ନାହିଁ ।”

ଜନନୀଙ୍କ ସ୍ୱାସ୍ଥ୍ୟ–କଥା କୌଶଲ୍ୟା ପୁଚ୍ଛନ୍ତେ,

ମୁକ୍ତାନିନ୍ଦୀ ଅଶ୍ରୁ ବିନ୍ଦୁ ଝାରି ନେତ୍ର–ଅନ୍ତେ

 

କହନ୍ତି, “ଦୁଃଖିନୀ ମାତା ଦିନୁଦିନ କ୍ଷୀଣ,

ନୟନୁଁ ତାଙ୍କର ନୀର ଝରେ ଅନୁଦିନ ।”

ବାଲ୍ମୀକି–ଋଷିଙ୍କି ଡାକି ଆଣିଲେ ଲକ୍ଷ୍ମଣ,

ସବିଶେଷ ବିବରଣ ଜାଣିବା କାରଣ ।

ପୃଚ୍ଛନ୍ତେ କହିଲେ ଋଷି, ଗହନକାନନେ

ଦେଖି ତ୍ୟକ୍ତା ଜାନକୀଙ୍କୁ ନିର୍ବାସନ–କ୍ଷଣେ

ପ୍ରବୋଧି ଆଶ୍ରମପଦେ ଘେନି ରଖାଇଲି,

ଋଷିକନ୍ୟା ପେଷି ପରିଚର୍ଯ୍ୟା କରାଇଲି,

ଯଥାକାଳେ ଜାତ ହେଲେ ଯାମଳ ତନୟ;

ଶ୍ରୀରାମ–ତନୁଜ ଲବ କୁଶ ଏ ଉଭୟ ।

ଜାଣନ୍ତି ଏ ବାର୍ତ୍ତା ନିଜେ ବୀର ଶତ୍ରୁଘନ,

ଲବଣ ଦାନବ ଜୟେ ଥିଲେ ତପୋବନ ।”

 

ଚିହ୍ନି ଲବ କୁଶେ ମୁନି ବାଲ୍ମୀକିଙ୍କ ମୁଖେ

ନାଚିଲା ନରେଶପୁରୀ ଅପରୂପ ସୁଖେ ।

କହନ୍ତି ବାଲ୍ମୀକି ଗୁରୁ ଲବ କୁଶେ ଚାହିଁ,

“ନୃପତି–ଶ୍ରୀରାମ ସୁତ ଅଟ ବେନି ଭାଇ ।

ଯେଉଁରାମ ସୀତାଙ୍କର ପୁଣ୍ୟମୟୀ ବାର୍ତ୍ତା

ରାମାୟଣେ ପଢ଼ିଛ ସେ ତବ ପିତା ମାତା ।

ଅଗ୍ରଜବତ୍ସଳ ବୀର ଲକ୍ଷ୍ମଣ ସୁଧୀର,

ତୁଳନା ଯାହାଙ୍କ ନାହିଁ ସାରା ପୃଥିବୀର,

ଏହି ସେ ପିତୃବ୍ୟ ତବ ତୁମ୍ଭରି ଆଗରେ,

ପଢ଼ିଛ ଯାହାଙ୍କ କଥା ମୋ ରାମାୟଣରେ ।”

ଶୁଣିଣ “ଲକ୍ଷ୍ମଣ” ନାମ ଉଭୟ ବାଳକ

କୌତୂହଳେ ଚାହିଁ ତାଙ୍କ ଆପାଦମସ୍ତକ,

ସାଷ୍ଟାଙ୍ଗେ ପ୍ରଣାମ କଲେ ମହାଭକ୍ତିଭରେ

ପୂର୍ବ କୀର୍ତ୍ତିମାନ ତାଙ୍କ ସ୍ମରିଣ ମନରେ ।

ଭରତ ଶତ୍ରୁଘ୍ନ ଆଦି ଖୁଡୁତାମାନଙ୍କୁ

କୌଶଲ୍ୟା ସୁମିତ୍ରା ଆଦି ମହିଷୀଗଣଙ୍କୁ

 

ଚିହ୍ନି ଲବ କୁଶ ବେନି ପ୍ରାଣାମାଦି କରି

ପଚାରୁଁ ମାତାଙ୍କ କଥା କହନ୍ତି ବିବରି ।

କୌଶଲ୍ୟା ଶ୍ରୀରାମେ ଡାକି କହନ୍ତି ବଚନ,

“ଲବ କୁଶ ରାମଚନ୍ଦ୍ର ! ତୋହରି ନନ୍ଦନ ।

କହିଲେ ବୈଦେହୀ ପାଶେ ଦୂତ ବରଗିବି,

ଦୁଃଖିନୀ ବଧୂକୁ ମୋର ଫେରାଇ ଆଣିବି,

ଶ୍ରୀରାମେ ଦେଖିଣ ମାତା ମଉନ ବିଷଣ୍ଣ

ବରଗିଲେ ଦୂତ, ଜାଣି ସମ୍ମତି–ଲକ୍ଷଣ ।

ଆଗହୁଁ ଶ୍ରୀରାମ ଚିହ୍ନିଥିଲେ ସ୍ୱସନ୍ତାନେ,

ନ କହି ମଉନ ହେଲେ ମାତା ବିଦ୍ୟମାନେ ।

ବାଲ୍ମୀକି ଋଷିଙ୍କି ଡାକି ଶ୍ରୀରାମ ନିର୍ଜନେ

କହିଲେ କୃତଜ୍ଞ “ସାକେତର ସିଂହାସନେ

 

ସମର୍ପିଲି ଆଦିକବି ତବ ଶ୍ରୀଚରଣେ;

ଭୋ ମୁନି ସଂଶୟ ନାହିଁ ସୀତାଙ୍କୁ ମୋ ମନେ,

ଜନ–ଅପବାଦୁଁ ତାଙ୍କୁ କଲି ନିର୍ବାସନ,

କିପରି କରିବି ଏବେ ତାହାଙ୍କୁ ଗ୍ରହଣ ?

ଯଜ୍ଞସ୍ଥାନେ ରୁଣ୍ଡ ହେବେ କାଲି ଋଷିଜନ,

ନିମନ୍ତ୍ରିତ ରାଜବୃନ୍ଦ ରାଜ୍ୟ ପ୍ରଜାଗଣ ।

ସର୍ବସମକ୍ଷରେ କାଲି ମହର୍ଷି ଆପଣ

ସୀତା–ନିର୍ଦ୍ଦୋଷତା ନିଜେ କରିବେ ଘୋଷଣ ।

ସର୍ବସମ୍ମତିରେ ହେଲେ ସୀତାପରିଗ୍ରହ;

ସୂର୍ଯ୍ୟବଂଶ–ପୁଣ୍ୟଯଶ ରହିବ ଅକ୍ଷୟ ।

ନ କଲେ ପ୍ରକୃତିଗଣ ସମ୍ମତି ପ୍ରଦାନ;

ସୀତାଙ୍କୁ ଦେବାକୁ ହେବ ସତୀତ୍ୱ–ପ୍ରମାଣ ।

“ତଥାସ୍ତୁ” ବୋଲିଣ ଋଷି ଫେରିଲେ ସ୍ୱବାସେ,

ସନ୍ଦିଗ୍‌ଧେ ଶ୍ରୀରାମ ଗଲେ ବିଶ୍ରାମ–ଆବାସେ ।

 

ଦ୍ୱାଦଶ ସର୍ଗ

ଜାନକୀ-ପ୍ରତ୍ୟାଗମନ

ଦୂତଠାରୁ ଯଜ୍ଞ–ସଭା ସର୍ବ ବିବରଣ,

ସ୍ୱାମୀ ଅନୁମତି ଶ୍ୱଶ୍ରୁ–ଅନୁଜ୍ଞା–ବଚନ

ଶୁଣି ସୀତା ମନେ କଲେ ଶ୍ରୀରାମ ଗ୍ରହଣ

କରିବେ, ନୋହିଲେ କିପାଁ ଦୂତକୁ ପ୍ରେରଣ

କରନ୍ତେ କୌଶଲ୍ୟା ? ଭାବି ଏହା ସୀତା ସତୀ

ଯାନେ ଚଢ଼ି ଆସୁଁ ଚିତ୍ତ ଆନ୍ଦୋଳିତ ଅତି ।

“ଏତେ ଦିନେ ବିଧି ପୁଣି ହେଲେ ସୁପ୍ରସନ

ଚାତକ ଦେଖିବ ଆଜି ବାରିଦ ବଦନ ।

ସତେ କି ଏ ଦାସୀ ପୁଣି ପ୍ରାଣେଶ–ଚରଣ

ଧରି ଅଭିମାନେ ଦୁଃଖେ କରିବ ରୋଦନ ?”

 

କଳ୍ପନାନୟନେ ସୀତା ଦେଖନ୍ତି ପ୍ରାଣେଶେ

ଲବ କୁଶେ ବସାଇ ଯେ ଛନ୍ତି ଅଙ୍କଦେଶେ ।

ଉଠାଇ ସୁବର୍ଣ୍ଣସୀତା ଯଜ୍ଞାର୍ଥୀ ନରେଶ

ସୀତାଙ୍କୁ ବସାଇଛନ୍ତି ନିଜ ବାମଦେଶ ।

ଅନ୍ତଃପୁରେ ରାମଚନ୍ଦ୍ର ସୀତାହସ୍ତ ଧରି

ସ୍ୱୀକାର କରନ୍ତି ଦୋଷ କ୍ଷମା ଭିକ୍ଷା କରି ।

ଅଭିମାନେ ସୀତା ତାଙ୍କୁ କଥା ନ କହନ୍ତି—

ଯାନ ଆସି ପ୍ରବେଶିଲା ଯଜ୍ଞସ୍ଥାନ କତି ।

ପଶ୍ଚିମାଶା–ଅଙ୍କେ ବହୁକ୍ଷଣୁଁ ଅଂଶୁମାଳୀ

ଯାଇଥିଲେ କ୍ଷୋଭେ ଦୁଃଖେ ରକ୍ତକର ଢାଳି,

ବାଲ୍ମୀକି–ଋଷିଙ୍କ ପାଇଁ ଯେ ବାସମନ୍ଦିର

ନିର୍ଦ୍ଦିଷ୍ଟ ହୋଇଣ ଥିଲା ଗୋମତୀର ତୀର,

ବେନିସୁତ ଘେନି ତହିଁ ଶ୍ରୀରାମଗୃହିଣୀ

ବାଲ୍ମୀକି–ଆଦେଶମତେ ଯାପିଲେ ଯାମିନୀ !

କହିଲେ ବାଲ୍ମୀକି “ରାଜା ପ୍ରକୃତି–ରଞ୍ଜନ

ଜନ–ଅପବାଦେ କଲେ ତବ ନିର୍ବାସନ ।

 

ନୋହିଲେ ତାହାଙ୍କ ମନୁ ପୂର୍ବର ପ୍ରଣୟ

ତୁମ୍ଭଠାରୁ ତିଳେମାତ୍ର ଲଭି ନାହିଁ କ୍ଷୟ ।

ସବସମକ୍ଷରେ କାଲି ଶ୍ରୀରଘୁନନ୍ଦନ

ଯଜ୍ଞପୀଠେ ରାଣୀରୂପେ କରିବେ ଗ୍ରହଣ ।”

ପ୍ରଜା କେହି ନ ହୋଇବେ କେଭେଁ ଅସମ୍ମତ

ଭାବି ଋଷି ନ କହିଲେ ପରୀକ୍ଷା ଉଦନ୍ତ ।

ଲବ କୁଶଠାରୁ ରାତ୍ରେ ପରିଚୟ–ବାଣୀ

ଶୁଣି ସେହି ନିଶା ପୁହାଇଲେ ରାମରାଣୀ ।

 

ତ୍ରୟୋଦଶ ସର୍ଗ

ବୈଦେହୀ–ବିୟୋଗ

(ରାଗ ରସକୁଲ୍ୟା)

ଅଯୋଧ୍ୟାର ରାଣୀ ଜନକକନ୍ୟା

ସତୀ–ସମାଜରେ ସଂସାରେ ଧନ୍ୟା

ଅପବାଦୁଁ ରାମ ଦାରୁଣ ମନେ

ନିର୍ବାସିଣ ଥିଲେ ଗହନବନେ

ରହି ଦୀର୍ଘ ବନବାସେ

ଆଜି ଶୁଦ୍ଧଶୀଳା ଆସୁଛନ୍ତି ଫେରି

ପୁଣି ପ୍ରାଣକାନ୍ତ ପାଶେ । ୧ ।

 

ରଟିଲା ଏ ନବବାର୍ତ୍ତାବହନେ

ଘୋର କୋଳାହଳ ନୈମିଷାରଣ୍ୟେ

ପୁଣ୍ୟ ଯଜ୍ଞପୀଠେ ଗୋମତୀ–ତୀରେ

ଆସୁଛନ୍ତି ସତୀ ବିଷାଦେ ଧୀରେ

ଦର ଅଶ୍ରୁ ବାରି ଧାର

କହିପାଇଁ ପଦ୍ମପଳାଶ ନୟନୁ

ବକ୍ଷେପଡ଼େ ଝର ଝର । ୨।

 

ସ୍ୱର୍ଣ୍ଣ ସିଂହାସନେ ରଘୁନନ୍ଦନ

ପାଶେ ଭରତ ଶତ୍ରୁଘ୍ନ ଲକ୍ଷ୍ମଣ,

ଏକ ପାର୍ଶ୍ୱେ ବିଜେ ନୃପତିଗଣ,

ନିମନ୍ତ୍ରିତ ସର୍ବ ଋଷି ବ୍ରାହ୍ମଣ,

ଅନ୍ୟ ପାର୍ଶ୍ୱେ ରାଣୀଗଣ,

ସମ୍ମୁଖରେ ଉଭା ପୁରପ୍ରଜାଗଣ,

ସଭା ଲୋକେ ଲୋକାରଣ୍ୟ । ୩ ।

 

ସମସ୍ତେ ସନ୍ତ୍ରସ୍ତ ସମସ୍ତେ ତୁନି,

ଜାନକୀ ସଙ୍ଗତେ ବାଲ୍ମୀକି ମୁନି,

ସଙ୍ଗେ ଛନ୍ତି ଲବ କୁଶ କୁମରେ,

ଚକିତେ ପ୍ରବିଷ୍ଟ ସଭା ମଧ୍ୟରେ,

ଠିଆ ହେଲେ ସର୍ବଜନ

ବିଷାଦପ୍ରତିମା ପ୍ରିୟାଙ୍କୁ ଅନାଇ

ଶ୍ରୀରାମ ବିକଳ ମନ । ୪ ।

 

କ୍ଷୀଣ–ଇନ୍ଦୁକଳା ସମା ସୁଦୀନା

ଅଧୋଦୃଷ୍ଟି ସତୀ ଔଦ୍ଧତ୍ୟହୀନା,

ଭାର୍ଯ୍ୟା ପୁତ୍ରେ ପାଇଁ ଅଯୋଧ୍ୟାପତି

ଭାତା ଗହଣରେ ପ୍ରଣମୁଁ ଯତି

ବିଶୁଦ୍ଧ ପୂତବଚନେ

ଲବ କୁଶ ପରିଚୟ ପ୍ରଦାନିଣ

ଯାଚିଲେ ସୀତା ଗ୍ରହଣେ । ୫ ।

 

ବୋଲନ୍ତି ବାଲ୍ମୀକି ଗମ୍ଭୀର ସ୍ୱରେ,

“ଅବଧାନ କର ସଭାସ୍ଥନରେ,

ପବିତ୍ରହୃଦୟା ବୈଦେହୀ ସତୀ,

ଅକୁଣ୍ଠିତେ ସର୍ବେ ଦିଅ ସମ୍ମତି,

ସତୀଙ୍କୁ ରଘୁନନ୍ଦନ,

କରି ପ୍ରତିଗ୍ରହ ରାଜ–ପରିବାର

ଦୁଃଖ କରନ୍ତୁ ମୋଚନ ”। ୬ ।

 

ଏକକଣ୍ଠେ ଋଷି ରାଜମଣ୍ଡଳି,

ଉଭା ହୋଇ କରି ବଦ୍ଧଅଞ୍ଜଳି

ସମ୍ମତି ଜଣାଉଁ, ରଘୁନନ୍ଦନ

ଜନତାରେ ନିବେଶିଲେ ନୟନ,

ନିଷ୍କମ୍ପ ନୀରଧି ପ୍ରାୟେ

ମଉନେ ରହିଲା ବିଶାଳ ଜନତା,

ଆକୁଳ ଅଯୋଧ୍ୟାରାୟେ । ୭ ।

 

ବାଲ୍ମୀକି–ଆନନେ ସୀତାରମଣ

ଅନାନ୍ତି, ସତୃଷ୍ଣ ବେନି ନୟନ ।

ସାଗ୍ରହଚିତ୍ତରେ ସତୀ ବୈଦେହୀ

ପତିଗ୍ରହ ଆଶେ ଥିଲେକ ରହି,

ଦେଖୁଁ ପ୍ରଜା–ଅସମ୍ମତି

ଶତବଜ୍ର ଅବା ପଡ଼ିଲା ମସ୍ତକେ

ମୃତକଳ୍ପା କୃଶା ସତୀ । ୮ ।

 

ସୀତା ପ୍ରତିଗ୍ରହ ପ୍ରକୃତିଗଣ

କେବେହେଁ କରିବେ ନାହିଁ ବାରଣ,

ଏହି ପ୍ରତୀତିରେ ବାଲ୍ମୀକି ରହି

ପରୀକ୍ଷାବୃତ୍ତାନ୍ତ ନ ଥିଲେ କହି,

ସୀତାଙ୍କୁ ଏ ତ୍ରିଭୁବନ

ଶୂନ୍ୟ ଦେଖାଗଲା କି କରିବେ କାହିଁ

ଯିବେ ? ବିକଳ ଜୀବନ । ୯ ।

 

ସୀତାଙ୍କୁ ବାଲ୍ମୀକି ଚାହିଁ କହନ୍ତି

“ତୁମ୍ଭଙ୍କୁ ନୃପତି ଜାଣନ୍ତି ସତୀ

ପୁରପ୍ରଜାଗଣ ଠୁଳ ଏ ସ୍ଥାନେ

କୁଣ୍ଠିତ ସେମାନେ ସମ୍ମତିଦାନେ,

ଦିଅ ଏମନ୍ତ ପରୀକ୍ଷା,

ରାଜ୍ୟବାସୀ ମନୁଁ ତୁଟୁ ଦୁଃସଂଶୟ

ଶ୍ରୀରାମଙ୍କ ଏହି ଭିକ୍ଷା । ୧୦ ।

 

ପୁଣ୍ୟର ପ୍ରତିମା ବୈଦେହୀ ସତୀ

ଘୋର ଲଜ୍ଜା ଦୁଃଖେ ବିଷଣ୍ଣା ଅତି

ସର୍ବସମକ୍ଷରେ ଏହି ପ୍ରକାରେ

ପରୀକ୍ଷିତା ହୋଇଥିଲେ ଲଙ୍କାରେ ।

ସ୍ମରି ପୂର୍ବ ଦୁଃଖମାନ

ମନ୍ଥି ହୋଇଗଲା ସତୀଙ୍କ ପରାଣ

କପୋଳ ଦିଶିଲା ମ୍ଳାନ । ୧୧ ।

 

ଦୀର୍ଘବନବାସେ ଦୁଃଖିନୀ ସତୀ

ହୋଇଥିଲେ କ୍ଷୀଣା ବିଷଣ୍ଣା ଅତି,

ଅନୁକ୍ଷଣ ଦେବି ସ୍ୱପ୍ରତିଗ୍ରହ

ଚାହିଁ ରହିଥିଲେ ଆଗ୍ରହ ସହ,

ସମିଧେ ବହ୍ନି ଯେସନ

ଅପମାନେ ସତୀ ବ୍ୟଥିତ ପରାଣ

ଉତ୍‌ଥାନେ ହେଲା ଉଚ୍ଛନ୍ନ । ୧୨ ।

 

ସହିଷ୍ଣୁତା ମୂର୍ତ୍ତି ବିଦେହସୁତା

ନ କହିଲେ କଥା ଦୁଃଖାଭିଭୂତା,

କିନ୍ତୁ କୋଟି ଗୁଣ ପ୍ରଗଳ୍‌ଭ ଗିର

ପ୍ରକାଶ୍ରିତ କଲା ନୟନନୀର,

ବିଷାଦ ପ୍ରତିମା ସତୀ

ନିରେଖି ସେ ରୂପ ଗଳିବ କୁଳିଶ

କାରୁଣ୍ୟ କି ମୂର୍ତ୍ତିମତୀ ! ୧୩ ।

 

ଋଷିଶିଷ୍ୟାର୍ପିତ ଜାହ୍ନବୀ–ନୀରେ

ଆଚମନ କରି କହନ୍ତି ଧୀରେ

“କାୟମନୋବାକ୍ୟେ ସ୍ୱାମୀଙ୍କୁ ଯେବେ

ଅତିକ୍ରମି ନାହିଁ ଜୀବନେ କେବେ

ପତିପଦେ ଯେବେ ପ୍ରାଣ

ସମର୍ପି ଥିବି ମୁଁ ଏକାନ୍ତ ଚିତ୍ତରେ

ଦିଅ ମା ଧରିତ୍ରୀ ! ସ୍ଥାନ । ୧୪ ।

 

ଚିରଦୁଃଖିନୀ ମୁଁ ହେ ପ୍ରାଣସାଇଁ

ଲଲାଟେ ମୋ ସୁଖ ଲିହିତ ନାହିଁ,

ବଡ଼ ହୀନମାନ ସୀତା ପରାଣ

ଅଦୃଶ୍ୟେ ଆଜି ସେ କରୁ ପ୍ରୟାଣ,

ଚିରଦୁଃଖିନୀ ଭୋ ପ୍ରଭୁ

ତୁମ୍ଭରି କୃପାରେ ଜନ୍ମଜନ୍ମାନ୍ତରେ

ତୁମ୍ଭ ଶ୍ରୀଚରଣ ଲଭୁ” । ୧୫ ।

 

କଟାକ୍ଷେ ବିଦୀର୍ଣ୍ଣ ଅବନୀତଳ,

ନିର୍ଗମିଲା ତହୁଁ ପ୍ରଭାମଣ୍ଡଳ,

ପ୍ରଭାପୁର ମଧ୍ୟେ ଦିବ୍ୟ ବିମାନ,

ପୃଥ୍ୱୀଦେବୀ ତହିଁ ବିରାଜମାନ,

ସ୍ନେହେ କଲେ ଆଲିଙ୍ଗନ,

ପତିପ୍ରାଣା ସୀତା ନିବେଶିଲେ ପ୍ରେମେ

ସ୍ୱାମୀ ଶ୍ରୀମୁଖେ ନୟନ । ୧୬ ।

 

ପତିହୃଦ–ଜୋତ୍ସ୍ନାରାମରମଣୀ

ସତୀସମାଜର ମୁକୁଟମଣି

ନୀରଦେ ଯେସନେ ମିଶେ ଚଞ୍ଚଳା,

ଦିଶିଲେ ତେସନ ମହି–କମଳା;

ରାମ ବଜ୍ରାହତ ପ୍ରାୟେ

“ହା ହା ସୀତା” ବୋଲି ଧରଣୀତଳରେ

ପଡ଼ି ମୋହ ଗଲେ ରାୟେ । ୧୭ ।

 

 

ଚୈତନ୍ୟ ଲଭିଣ ଅଯୋଧ୍ୟା ରାଣ

ଧରିଣ ସଂରମ୍ଭେ ସ୍ୱଧନୁର୍ବାଣ

ପ୍ରଳୟ କରାଳ ରୂପେ ଗର୍ଜ୍ଜନ

କରୁଁ କମ୍ପେ ଚତୁର୍ଦ୍ଦଶ ଭୁବନ ।

ତ୍ରିକାଳଜ୍ଞ ପୁରୋହିତ

“ଦୈବ–ଦୁର୍ଘଟନା ଦୁର୍ନିବାର” ଆପ୍ତ—

ବାକ୍ୟେ କଲେ ଶାନ୍ତ ଚିତ୍ତ । ୧୮ ।

 

ଚତୁର୍ଦ୍ଦଶ ସର୍ଗ

ଶ୍ରୀରାମଙ୍କ ଅନ୍ତିମ ଜୀବନ

ଦିନ–ଶ୍ରମ–ଅନ୍ତେ ଆସି ଶ୍ରୀରାମରାଜନ

ବିଶ୍ରାମ–ଭବନେ ଏକା କରନ୍ତି ଶୟନ ।

ନାନାରତ୍ନେ ଚରିତ ସେ ଅତୁଲ୍ୟ ଭବନ,

ଲଜ୍ଜା ପାଏ ତାହା ପାଶେ ସତାର ଗଗନ ।

 

ଜଳଇ ସେ ଗୃହେ ଶତ ରତ୍ନଦୀପାବଳୀ

ପୂଣ୍ଣିମା–ଗଗନ ସମ ସେ ପୁରେ ଉଜଳି ।

ଶିରୋପରି ଅଛି ଉଭା ହିରଣ୍ମୟୀ ସୀତା

ଯେଉଁ ଦିନୁଁ ଦୁଃଖେ ସତୀ ହେଲେ ଅନ୍ତର୍ହିତା ।

ଏସନ ଶୟନ–ଗୃହେ ଅଯୋଧ୍ୟାରାଜନ

ଅର୍ଦ୍ଧଶୂନ୍ୟ ଶଯ୍ୟା ପରେ କରନ୍ତି ଶୟନ ।

ଘୋର ଅରଣ୍ୟରେ ସତୀ ବୈଦେହୀ ସଙ୍ଗରେ

ତାପସ ବେଶରେ କ୍ଷୁଦ୍ର ପର୍ଣ୍ଣକୁଟୀରରେ ।

କାଟୁଥିଲେ କାଳ ଯେଉଁ ରାମ ରାଜା ସମ

ମଣନ୍ତି ଅଯୋଧ୍ୟା ଏବେ ଅରଣ୍ୟ ବିଷମ ।

ସୁବର୍ଣ୍ଣ–ସୀତାକୁ ଚାହିଁ ଶ୍ରୀରାମ ଅଧୀର

ଭାଳନ୍ତି ନରେଶ, ନେତ୍ରୁ ବହିଯାଏ ନୀର ।

କେଣେ ଛାଡ଼ିଗଲ ମୋତେ ମୋ ହୃଦୟେଶ୍ୱରି,

କି ସୁଖ ରହିଲା ଆଉ ଜୀବନେ ମୋହରି !

ବିଶ୍ରମ–ଆଳାପ ବେଳେ କହିଥିଲ ସତି,

ଶିବଧନୁ ଯେବେ ମୁହିଁ ଭାଙ୍ଗି ନ ପାରନ୍ତି,

 

ଚିରତପସ୍ୱିନୀ ହୋଇ କାଟନ୍ତି ଜୀବନ

ଅବା ମୋତେ ଝୁରି ଝୁରି ଭଜନ୍ତି ମରଣ ।

ଯାହାପାଇଁ ଧନୁପଣ ନିନ୍ଦା କରିଥିଲ,

ସେ ରାମକୁ କେଉଁ ପ୍ରାଣେ ପ୍ରେୟସି ତେଜିଲ ?

ହେଉଥିଲ ଲବେମାତ୍ର ବିଚ୍ଛେଦେ ବ୍ୟଥିତା,

କେମନ୍ତେ ଏତେ ଅନ୍ତର କରିଦେଲ ସୀତା ?

କେଉଁ ଦୂରଦେଶେ ଯାଇଁ କଲ ସୁଖଧାମ ?

ଦେଖିବାରେ କି ଯାତନା ଭୋଗେ ଦୁଃଖୀରାମ ।

ବନବାସେ ହେବ ବୋଲି କିଞ୍ଚିତ କଷଣ,

ସେବା ପାଇଁ କଲ ସଙ୍ଗେ ଅରଣ୍ୟେ ଗମନ ।

ଦାରୁଣ ଯାତନା ଆଜି ରାମପ୍ରାଣେ ଜାଳେ,

ଦାସପ୍ରତି ନ ଅନାଅ କିପାଁ ଦେବି ଢାଳେ ?

 

ଗୋଦାବରୀ–ତଟ–ବନେ ଚାନ୍ଦିନୀ ରାତ୍ରରେ

ଢଳି ମୋ ଅଙ୍କରେ ପ୍ରିୟେ କହିଥିଲ ଥରେ

ଘଡ଼ିକ ଅନ୍ତର ମୋର ନ ହୁଅଇ ସହି,

କେଉଁ ଦୂରଦେଶେ ଆଜି ଅଛ ଯାଇଁ ରହି ?

ଜାନକୀ ସଙ୍ଗତେ ତ୍ୟଜି ରାଜ୍ୟ ସିଂହାସନ

ଗହନକାନନେ କିପାଁ ନ କଲି ଗମନ ?

କିପାଁ ଧର୍ମେ ସାକ୍ଷୀ କରି ନେଲି ରାଜ୍ୟଭାର,

ଅର୍ପିଲ ପ୍ରଜାଙ୍କୁ କିପାଁ ଆତ୍ମପରିବାର ?

କି କଠିନ ରାଜକାର୍ଯ୍ୟ ଦୁଃସାଧ୍ୟ ବ୍ୟାପାର

କି ନିର୍ମମ ନିଦାରୁଣ ଲୋକବ୍ୟବହାର ।

ହୀରକମୁକୁଟ ସହ ଦୁଃସହ କଷଣ

ଆସ ସିଂହାସନପ୍ରାର୍ଥି, କରି ମୋ ବହନ !

ରାଜ୍ୟ ପାଇଁ ସ୍ନେହ, ପ୍ରେମ, ମମତା ବିସର୍ଜି

ଅଗାଧ ସନ୍ତାପନୀରେ ଅଛି ମୁହିଁ ମଜ୍ଜି ।

ଉତ୍ତରକାଳକୁ ଲୋକେ “ଶ୍ରୀରାମ ନୃଶଂସ”

ବୋଲିଣ ରଟିବେ ମୋ ଘୋର ଅପଯଶ ।

 

ଅଶ୍ୱମେଧଯଜ୍ଞ କଲି ନୈମିଷ–ଅରଣ୍ୟେ,

ଗୋମତୀତଟରେ ଆମନ୍ତ୍ରିଣ ଋଷିଜନେ ।

ବାଲ୍ମୀକି ସଙ୍ଗତେ ଦେଖି ତବ ବେନିସୁତ

ପ୍ରତିଗ୍ରହ–ଆଶେ ତବ ବରଗିଲି ଦୂତ ।

ରମଣୀ ମାନିନୀ ଏହା ଖ୍ୟାତ ଏ ଭୁବନ

ଫେରିଲ ଜାନକି ପାଳି ମୋ ଆଜ୍ଞା–ବଚନ ।

ସୁବର୍ଣ୍ଣ ଜିଣିଣ କାନ୍ତି ତରୁଣ ମୀରତି,

ଦ୍ୱାଦଶ ବରଷ ଶୋକେ କ୍ଷୀଣମ୍ଳାନ ଅତି

ଲାବଣ୍ୟ ପ୍ରତିମା ଆହା ମୋ ବିରହେ କ୍ଷୀଣ,

ଦେଖି ଏ ପାପାଣବକ୍ଷ ନୋହିଲା ବିଦୀର୍ଣ୍ଣ !

ଜାଣି ତ ନ ଥିଲ ଦୀର୍ଘକାଳ ପରେ ଆଣି

ଚଣ୍ଡାଳ ପରାୟେ ପୁଣି ଆଚରିବି ରାଶି ।

 

ଦୁଃଖ ଶୋକେ ସୁକୁମାରି ଥିଲ ମ୍ରିୟମାଣ,

ଯଜ୍ଞସଭା–ଅପମାନେ ଉଡ଼ିଗଲା ପ୍ରାଣ ।

ଥରେ ଭଲା କହିଥାନ୍ତି ଅନ୍ତରର ବ୍ୟଥା;

ନ କହି ଥାଆନ୍ତି ହେଲେ ପରୀକ୍ଷାର କଥା ।

ଚିରଅପରାଧୀ କଳି କେତେ କେତେ ଦୋଷ,

କେବେ ସତୀ–ଶିରୋମଣି ନ ବହିଲି ରୋଷ !

ଭାବିଥିଲି ପ୍ରଜାଗଣ ନ ଦେଲେ ସମ୍ମତି

ତବ ପ୍ରତିଗ୍ରହେ, କରି ଭରତେ ନୃପତି,

ତବ ସଙ୍ଗେ ବାନପ୍ରସ୍ଥେ ଗହନ କାନନେ

ବିଜନେ କାଟିବି ମୋର ଉତ୍ତର ଜୀବନେ ।

ଏ କଥା ସମୟେ ମୁହିଁ କିପାଁ ନ କହିଲି,

ପ୍ରାଣପ୍ରିୟା ସୀତାଙ୍କୁ ଯେ ହରାଇ ବସିଲି !

ସରଳା ଜନକସୁତା ସତୀଶିରୋମଣି

ହୋଇଥାନ୍ତ ଗୃହଲକ୍ଷ୍ମୀ ନରେଶ ଘରଣୀ ।

ନୃଶଂସ ଶ୍ରୀରାମ ହରି ତବ ରାଜ୍ୟସୁଖ

ପରାଶେ ମାରିଲା ଦେଇ ଦୁର୍ବିଷହ ଦୁଃଖ !

 

ନାରୀହତ୍ୟା–ଭାର୍ଯ୍ୟାହତ୍ୟା–ସତୀହତ୍ୟା–ପାପ

ଦଂଶନ କରନ୍ତି ମୋତେ ଯେହ୍ନେ କାଳସାପ ।

ଯେ ପାଷଣ୍ଡ ତବ ପ୍ରାଣେ ଦେଲା ଏ କଷଣ,

ନିଜ ହସ୍ତେ କର ତାକୁ ନରକେ କ୍ଷେପଣ,

ସେ ନରକେ ଯାଉ ରାମ ସଡ଼ି ଅବା ଜଳି

ନରକଦଣ୍ଡରୁ ଓହୋ ! ଏ ଯନ୍ତ୍ରଣା ବଳି !

ଫାଟିଯାଅ ହୃଦୟରେ ଯାଉ ଏ ଜୀବନ

ନ ସହି ପାରିବି ଏ ଯେ ଅସହ୍ୟ କଷମ !

ବିଳାପି ବିଳାପି ରାମ ହେଲେ ଅବସନ୍ନ

ନିଦ୍ରାରେ ଦେଖନ୍ତି ରାଜା ମଧୁର ସ୍ୱପନ ।

ମସ୍ତକେ ସିନ୍ଦୁର ଅଙ୍ଗେ କୁଙ୍କୁମ ଲେପିତ

ଚରଣେ ଅଲକ୍ତ ସୀତା କବରୀ ଲମ୍ବିତ ।

 

କହନ୍ତି ଶ୍ରୀରାମ ଆସି ମଧୁର ବଚନ,

ଅପୂର୍ବଅମୃତସିକ୍ତ କର୍ଣ୍ଣରସାୟନ—

“ଯେ ଶାଶ୍ୱତ କ୍ଷେତ୍ରେ ଆମ୍ଭ ଦୁହିଁଙ୍କ ମିଳନ,

କିଏ କରିପାରେ ସଖା ଛିନ୍ନ ସେ ବନ୍ଧନ ?

ମୁଁ କି ଜାଣେ ନାହିଁ ପ୍ରଭୁ ସେ ମହତ ପ୍ରାଣ ?

ସେ ପୂତ ଚରଣ ତେଣୁ କରେଁ ଅନୁଧ୍ୟାନ ।

ବୀର ଶୁର ଶୁଦ୍ଧଚେତା ଅଟନ୍ତି ଯେ ପତି

ତାହାଙ୍କୁ ଆଶ୍ରୟ ସଦା କରେ ସତୀ–ମତି ।

ବିଳାସୀ ଦୁର୍ବଳଚେତା ଅଟେ ଯେଉଁ ବ୍ୟକ୍ତି

ପାଇ ପାରେ ବିଳାସିନୀ କାମିନୀ–ଆସକ୍ତି ।

କିନ୍ତୁ ସତୀ ସାଧ୍ୱୀଙ୍କର ଆତ୍ମାର ଆକାଙ୍‌କ୍ଷା

ସାତ୍ତ୍ୱିକ ବୀରଙ୍କ ପଦେ ଆଶ୍ରା କରେ ଭିକ୍ଷା ।

ଶରୀର ସମ୍ପର୍କ ସିନା ତୁଟିଲା ହେ ପ୍ରଭୁ !

ତୁମ୍ଭେ ମୋତେ ଦେଇଅଛ ଅନ୍ତର୍ଯ୍ୟାମୀ ସବୁ ।

ବିଶାଳ ହୃଦୟ ତବ ଅଟେ ସୀତାମୟ,

ଏହାଠାରୁ ବଳି ନାଥ ସୁଖ କାହିଁ କହ !

 

ନୁହେଁ ମୁଁ ସାମାନ୍ୟ ନାରୀ ଅବା ବିଳାସିନୀ,

ଯୁଗେ ଯୁଗେ ତୁମ୍ଭେ ତପୀ ମୁଁ ସହଧର୍ମିଣୀ ।

ମୋ ମାନସକ୍ଷେତ୍ରେ ଯେଉଁ ଆଦଶଉଦୟ

ତବ କର୍ମକ୍ଷେତ୍ରେ ପ୍ରଭୁ ତାର ଅଭିନୟ ।

ପ୍ରକୃତିପୁଞ୍ଜଙ୍କୁ ପ୍ରଭୁ କରିଣ ବଞ୍ଚନା

କରିଥାନ୍ତ ସ୍ୱାମି ଯେବେ ନାରୀ–ଆରାଧନା

ସୀତା ଅନ୍ତରାତ୍ମା ତହିଁ ନ ଲଭନ୍ତା ଶାନ୍ତି

ଚାରି ଯୁଗେ ଧରାଜନେ ଭଜିଥାନ୍ତେ ଭ୍ରାନ୍ତି ।

ଦେଖାଇଣ ସ୍ତ୍ରୈଣ ଜନେ ଆମ୍ଭରି ଦୃଷ୍ଟାନ୍ତ

କର୍ତ୍ତବ୍ୟବିଭ୍ରଷ୍ଟ ହୋଇ ହୋଇଯାନ୍ତେ ଭ୍ରାନ୍ତ ।

ତୀବ୍ର ତପ କରି ପ୍ରଭୁ ଆହେ ସୀତାପତି !

“ରାମ ରାଜ୍ୟ” ସ୍ଥାପିଅଛ, ରାଜ୍ୟାଶ୍ରମେ ପତି !

 

ରକ୍ତ–ମାଂସ–ଶରୀ ସିନା ଲଭିଛି ଯତନା,

ସତ୍ତ୍ୱିକ ସଂଯତ ଆତ୍ମା ଲଭିଛି ସାନ୍ତ୍ୱନା ।

ଶରୀର ସମ୍ପର୍କ ମଧ୍ୟ ନୋହିଲା ବିଫଳ,

ଲବ କୁଶ କରିଛନ୍ତି ତା ଅର୍ଥ ସଫଳ ।

ଧର୍ମ ଅର୍ଥ କାମ ମୋକ୍ଷ ଚତୁବର୍ଗ ଫଳ

ତବ ସଙ୍ଗେ ପାଉ ନାଥ ଜୀବନ ସଫଳ ।

ଅଯୋଧ୍ୟାଭୁବନେ ନାଥ କୃତ୍ରିମବିଳାସେ

ଥାଇ ଯାହା ନ ମିଳନ୍ତା, ହେଲା ବନବାସେ ।

ତାରକାଖଚିତ ନୀଳ ନିର୍ମଳ ଗଗନ,

ପବିତ୍ର ସରିତସ୍ରୋତ ବିସ୍ତୀର୍ଣ୍ଣ କାନନ,

ବିଚିତ୍ର–ବିହଙ୍ଗ–ପନ୍ତି–ମଧୁର–ସୁତାନ,

ସୁନ୍ଦର ପବିତ୍ର ମହା ପ୍ରକୃତିର ପ୍ରାଣ—

ବାହାରେ ଏମନ୍ତ ଦୃଶ୍ୟ ନୟନାଭିରାମ,

ଭିତରେ ଧାର୍ମିକ–ସ୍ୱାମୀ–ପ୍ରେମ ପ୍ରାଣାରାମ,

ଇହଲୋକେ ପାଇଥିଲା ଦିବ୍ୟଲୋକ ସୁଖ’

ତୁମ୍ଭ ଶିଷ୍ୟା ଜାନକୀର ନାହିଁ ନାହିଁ ଦୁଃଖ ।

 

ନିର୍ଲିପ୍ତ ସଂସାରୀ ପିତା ରାଜର୍ଷି ଜନକ

ରାଜ୍ୟାଶ୍ରମ ଋଷି ସ୍ୱାମୀ ହେ ରଘୁନାୟକ,

ତୁମ୍ଭରି ସହଧର୍ମିଣୀ ହେବା ପାଇଁ ପ୍ରଭୁ,

ପ୍ରକୃତି ତ କରିଥିଲା ଆୟୋଜନ ସବୁ ।

ନାହିଁ ମୋର ଲବେ କ୍ଳେଶ ନାହିଁ ମୋର ଦୁଃଖ

ଏ ଭାବନା ଭାବି ପ୍ରାଣେ ରଖ ପ୍ରଭୁ ସୁଖ ।

ତୁମ୍ଭଠାରୁ ମୁହିଁ ତିଳେ ନୁହେଁ ତ ଅନ୍ତର,

ଏକ ଆତ୍ମା ଏକ ଲକ୍ଷ୍ୟ ଆମ୍ଭ ଦୁହିଙ୍କର ।

ବେନି ଦେହେଁ ଏକ ଆତ୍ମା ଥିଲୁ ତ ଜୀବନେ’

ଏକ ଦେହେଁ ବେନି ଆତ୍ମା ହେଲା ମୋ ମରଣେ ।

ସୀତା–ପ୍ରାଣ ରାମମୟ ରାମ ସୀତାମୟ

ଦୁଇ ଆତ୍ମା ହୋଇଅଛି ଶାଶ୍ୱତେ ବିଲୟ ।”

 

ଶବଦ ଶୁଣନ୍ତେ ରାମ ହେଲେ ସଚେତନ ।

ଦେଖିଲେ ହସଇ ସୀତା କନକ–ବଦନ ।

ମନେ ପଡ଼ିଗଲା କ୍ଷଣେ ଘଟନା ପୂର୍ବର,

ଉଛୁଳି ଉଠିଲା ପୁଣି ବିଷାଦସାଗର ।

ଏକାଳେ “ଶ୍ରୀରାମ ଜୟ” ଶବଦ ଶୁଭିଲା;

ପ୍ରଭାତୀ ସଙ୍ଗୀତ ଆସି ବନ୍ଦୀ ଆରମ୍ଭିଲା ।

“ଜୟ ଶ୍ରୀ ରଘୁତିଳକ, ତାଡ଼କାବିଧ୍ୱଂସି,

ଜୟ ଶିବଧନୁର୍ଦ୍ଧାରୀ, ସୀତାହ୍ୱଦଶଶି ।

ଜୟ ଜୟ ପର୍ଶୁରାମ–ଦର୍ପଚୂର୍ଣ୍ଣକାରି,

ଜୟ ଜୟ ନାରାୟଣ, ଜୟ ରାବଣାରି,

ଜୟ ପ୍ରଜାଜନପ୍ରିୟ, ଦୀନବନ୍ଧୁ ଜୟ,

ଜୟ ଦୁଷ୍ଟନିବାରକ ସାଧୁଜନାଶ୍ରୟ ।”

 

ପ୍ରାତଃକୃତ୍ୟ ବଢ଼ାଇଣ ବ୍ରତପରାୟଣ

ଆରୋହଣ କଲେ ଯାଇଁ ସ୍ୱର୍ଣ୍ଣସିଂହାସନ ।

ରାଜଦଣ୍ଡ ଚାଳି ପ୍ରଜାହୃଦୟରଞ୍ଜନ,

କରନ୍ତି ପାଳନ ସନ୍ଥ, ଦୁଷ୍ଟନିବାରଣ ।

ଏହିପରି ରାମରାଜା ପାଳନ୍ତି ଧରଣୀ,

ପ୍ରାଣେ ତାଙ୍କ ଜଳୁଥାଏ ସୀତା–ଶୋକ–ବହ୍ନି ।

ଯାଇଥିଲେ ସୀତା, ପୁଣି ଗଲେ ତ ଶ୍ରୀରାମ,

ଏ ଜଗତେ ରହିଅଛି ସୀତାରାମ ନାମ ।