Unknown

ପ୍ରଭାତ−ସଙ୍ଗୀତ

ନନ୍ଦକିଶୋର ବଳ

 

ମୁଖବନ୍ଧ

Imageଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତି—ଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :—

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?” (ରାଓଙ୍କ ସ୍ମୃତି—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃଷ୍ଠା ୧୧୧୮−୧୯)

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା । ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ—

 

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

ପୁଣି:—

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

 

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’—ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି—କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ । ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’—ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:—

 

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

 

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’—

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନ ଥାଏ । ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନ ଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :—

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।” (ଭାରତର ଭବିଷ୍ୟତ୍ ଭାଷା—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃ ୧୦୩୭−୩୮)

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା—ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି ? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

 

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

 

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇ ନ ଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Rennaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ । ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ । ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ । ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନ ଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ । ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪।୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ । ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତନ୍ତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇ ଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

 

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି– “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ– “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ । ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟରପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । *ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

*ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି–ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ । ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ–ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରି ନ ଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା ।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ–

 

“ହେ ଈଶ୍ୱର, ହର ମୋର ସର୍ବ ଅଧୀନତ,

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା ।”

 

କୁସୁପୁର

 

 

 

 

ତା ୨୫ । ୪ । ୧୯୫୫

 

 

 

ଶ୍ରୀ ସୂର୍ଯ୍ୟମଣି ଜେନା

ଉତ୍ସର୍ଗ

ପରମାରାଧ୍ୟ ପିତୃଦେବ ମହୋଦୟ ଓ ପରମରାଧ୍ୟ ମାତୃଦେବୀ ମହୋଦୟାଙ୍କ ଶ୍ରୀଚରଣସରୋଜ ଉଦ୍ଦେଶ୍ୟରେ ଏହି ଶୀଶୁଗୀତରୂପ ପୂଜାପୁଷ୍ପ ନିବେଦନ କଲି ।

 

ପିତା ଧର୍ମଃ ପିତା ସ୍ୱର୍ଗଃ ପିତା ହି ପରମଂ ତପଃ

ପିତରି ପ୍ରୀତିମାପନ୍ନେ ପ୍ରିୟନ୍ତେ ସର୍ବ ଦେବତାଃ ।

ପୂଜ୍ୟପାଦ ପିତୃଦେବ !

ଆପଣଙ୍କ ସନ୍ତାନବାତ୍ସଲ୍ୟ ଶତ ଦୃଷ୍ଟାନ୍ତ ଉଲ୍ଲେଶ କରିବି ନାହିଁ । ତାହା ସ୍ମୃତି−ମନ୍ଦିରରେ ପୂଜା ପାଉଥାଉ । ଆପଣ ପ୍ରତିଦିନ ଉଷାର ପ୍ରାକ୍‍କାଲରୁ ବ୍ରାହ୍ମମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରି ପ୍ରାତଃସ୍ନାନ ସମାପନାନ୍ତେ ପୁଷ୍ପ ଆହରଣପୂର୍ବକ ଏକ ଅଧ୍ୟାୟ ଭାଗବତ ଆବୃତ୍ତି କରି “ନିର୍ମାଲ୍ୟ ସେବା” କରୁଥିଲେ । ପବିତ୍ର ପ୍ରଭାତ କାଳରେ ସେହି ପବିତ୍ର ପୂଜାଭାବଶୈଶବରୁ ମୋ ହୃଦୟରେ ଅଙ୍କିତ ହେଲା । ମନୁଷ୍ୟ ଚରିତ୍ର ଘଟନାର ଫଳ । ମାନବର ଭବିଷ୍ୟତ ଶୈଶବର ଘଟନାବଳୀ ଦ୍ୱାରା ଗଠିତ ହୁଏ । ଭଲ ହେଉ ବା ମନ୍ଦ ହେଉ, ମୁଁ ଯେଉଁ ଓଡ଼ିଆ ପଦ୍ୟଗୁଡ଼ିଏ ଲେଖିଅଛି, ତହିଁରେ ଶୈଶବସ୍ମୃତି ଜଡ଼ିତ ରହିଅଛି । ଆପଣଙ୍କ ପବିତ୍ର ସ୍ମୃତି ସର୍ବଦା ହୃଦୟରେ ଜାଗ୍ରତ ଅଛି । ମୁଁ ଅତୀତର ଭକ୍ତ, ସେହି ଅତୀତ ସହିତ ଆଜି ତାହା ପ୍ରକାଶ କରି ଆତ୍ମପ୍ରସାଦ ଲାଭ କରୁଅଛି ।

 

“ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରୀୟସୀ”

ମାତୃଦେବି !

 

ମୋର ଶୈଶବକାଳରେ ତୁମ୍ଭେ ପରଲୋକ ଗମନ କଲ । କିନ୍ତୁ ତୁମ୍ଭର ଅସ୍ପଷ୍ଟ ସ୍ମୃତି ମୋ ହୃଦୟରେ ଅଙ୍କିତ ଅଛି । ତହିଁରେ ଗୁରୁଜନମାନଙ୍କଠାରୁ ଶ୍ରୁତ ବିଷୟମାନ ସମ୍ମିଶ୍ରିତ ହୋଇ ଅପୂର୍ବ−ଭାବରେ ପରିଣତ ହୋଇଅଛି ।

 

ତୁମ୍ଭେ ଅତି ପାହାନ୍ରାରୁ ଉଠି “ଭଗବତ ଗୋସାଇଁ”ଙ୍କ ବାସନ ମାଜି ସ୍ନାନାନ୍ତେ ଭାଗବତ ଘର ଲିପିପୋଛି ଦେଇ ତାଙ୍କର ଭୋଗର ଆୟୋଜନ କରିଦେଉଥିଲ । ପରିବାରର ସମସ୍ତଙ୍କ ଭୋଜନାନ୍ତେ ଭୃତ୍ୟମାନଙ୍କର ଓ ଦାଣ୍ଡରେ କେହି ଭୋକୀଶୋଷୀ ଅଛି କି ନାହିଁ ଲୋଡ଼ି “ଜଳ ତୁଳସୀ” ପାଇ ଆହାର କରୁଥିଲ । ପବିତ୍ର ସନ୍ଧ୍ୟାକାଳରେ “ସନ୍ଧ୍ୟାବତୀ”ର ବ୍ୟବସ୍ଥା କରାଇ “ଭାଗବତ” ଶୁଣିବାକୁ ଆସୁଥିଲ । ତୁମ୍ଭର ଜାଗରତ ଯେଉଁ ଅପୂର୍ବ ଭାବ ଜଗତ୍ ମାନସପଟକୁ ଉଦ୍ଭାସିତ କରେ, ତାହା ମୁଁ କିପରି ବର୍ଣ୍ଣିବ ? ସେହି ଶୈଶବଭାବ ମୋର ଜୀବନକୁ ପ୍ରଭାବିତ କରିଅଛି । ଶୈଶବ ମୋର ବଡ଼ ପ୍ରିୟ । ମୁଁ ତୁମ୍ଭ ଯୋଗୁଁ କବି ।

 

ଆଜି ସେହି ଭାଗବତ ଗାଦି ଅଛନ୍ତି । ସେହିପରି ପୂଜା ହୁଏ । କିନ୍ତୁ ଚାକରାଣୀ ବାସନ ମାଜେ । ଗୁଡ଼ିଆ ଖଞ୍ଜାଭୋଗ ଦିଏ । ଚାକର ଦୀପ ଜାଳି ଦିଏ । ସଂସ୍କୃତରେ ଅର୍ଦ୍ଧଶିକ୍ଷିତ ଭଗବାନ ଦାସ ଗୋସାଇଁଙ୍କ ପରିବର୍ତ୍ତରେ ଭର୍ଣ୍ଣାକ୍ୟୁଲାର ପରୀକ୍ଷୋତ୍ତୀକର୍ଣ୍ଣ କୃଷ୍ଣଚନ୍ଦ୍ର ପଣ୍ଡା ବାରମାସ ଭାଗବତ ବୋଲନ୍ତି । କିନ୍ତୁ ସେ ପବିତ୍ର ଭାବ, ସେ ମାଧୁରୀ ନାହିଁ । ତୁମ୍ଭେ ଯାଇଅଛି । ତୁମ୍ଭ ସଙ୍ଗେ ସଙ୍ଗେ ତାହା ଚିରକାଳ ପାଇଁ ଅସ୍ତମିତ ହୋଇଅଛି । ଆଉ ଫେରିବ ନାହିଁ । ମୁଁ କେବଳ ସେହି ପବିତ୍ର ସ୍ମୃତି ହୃଦୟରେ ଜାଗ୍ରତ ରଖି ନିଜକୁ ଧନ୍ୟ ମଣିଛି ।

 

ପିତାମାତାଙ୍କ ନିକଟରେ ପୁତ୍ର ଚିରକାଳ ଶିଶୁ । କ୍ରୀଡ଼ାରତ ଶିଶୁ କୁସୁମ ଚୟନ କଲାପରି ମୁଁ ବୀଣାପାଣୀଙ୍କ ଭଗନରୁ ଯେଉଁ କୁସୁମମାନ ଚୟନ କରିଅଛି ତାହା ଆପଣମାନଙ୍କ ଦାନ ଜାଣି ସୁଦ୍ଧା ପୁଣି ସେହିଗୁଡ଼ିକ ପୂଜାପୁଷ୍ପରୂପେ ଆପଣମାନଙ୍କ ଶ୍ରୀଚରଣକମଳରେ ଭକ୍ତିତଦ୍‌ଗଦ ହୃଦୟରେ ଅର୍ପଣ କଲି । ଯେବେ ଆର୍ମା ଅମର ହୁଅନ୍ତି, ଯେବେ ସ୍ୱର୍ଗଲୋକ ଅଛି, ତେବେ ଏହି ଅଧମ ସନ୍ତାନକୁ ଆଶୀର୍ବାଦ କରି ଏହା ଗ୍ରହଣ କରନ୍ତୁ ।

ଅକିଞ୍ଚନ ସନ୍ତାନ

 

ପ୍ରଭାତ-ସଙ୍ଗୀତ

 

କି ଗୀତ ଗାଇବା            ପ୍ରଭାତରୁ ଆଜି

ହେ ପ୍ରିୟ ପାଠକ−ପାଠିକାମାନେ !

ଚାଲ ଆଜି ତାଙ୍କ            ନାମକୁ ଗାଇବା

ପ୍ରଭାତ ଆସିଛି ଯାହା ବିଧାନେ ।

ପ୍ରଭାତ ତପନ            ପ୍ରଭାତ ଗଗନ

ପ୍ରଭାତ ପବନ ପ୍ରଭାତ ବନ,

ପ୍ରଭାତ ପ୍ରସୂନ            ସୁବାସ ମୋହନ

ପ୍ରଭାତ ବିହଙ୍ଗ ମଧୁର ସ୍ୱନ,

ପ୍ରଭାତର ଯେତେ            ଶିଶର−ମଣ୍ଡିତ

ତରୁଲତାରାଜି ଦିଶେ ଶୋଭନ,

ପ୍ରଭାତର ଯେତେ            ପବିତ୍ର ସୁଷମା

ଯେ ପ୍ରଭୁଙ୍କ ଗୁଣ କରେ ଗାୟନ,

ପ୍ରଭାତେ ପାଇଲେ            ନବୀନ ଜୀବନ

ଯାହାଙ୍କ ପ୍ରସାଦେ ପ୍ରାଣିନିକର,

ନବୀନ ଉତ୍ସାହେ            ଜାଗିଲା ଜଗତ

ନବ କର୍ମେ ହେଲେ ସର୍ବେ ତତ୍‍ପର ।

ଚାଲ ପ୍ରିୟ ବନ୍ଧୁ            ସେ ପ୍ରଭୁଙ୍କୁ ନମି

କରିବା ଯେ ଯାହା କର୍ତ୍ତବ୍ୟ କର୍ମ,

ପ୍ରତି ପ୍ରଭାତରେ            ପ୍ରଭୁଙ୍କୁ ସୁମରି

ଶୈଶବ କାଳରୁ ସଞ୍ଚିବା ଧର୍ମ ।

ହୃଦୟରେ ସଦା            ଭଲଭାବ ଥାଉ

ସଦା ଭଲକଥା ଏ ମୁଖ କହୁ,

ସଦା ଭଲକାର୍ଯ୍ୟ            କରୁଥାଉ କର

ପ୍ରଭୁ ପଦେ ସଦା ଭକତି ଥାଉ ।

ସାରା ଦିବସରେ            ସାଧୁକାର୍ଯ୍ୟ କରି

ରଜନୀରେ ଶାନ୍ତି ସୁନିଦ୍ରା ପାଇ,

ସାରା ଜୀବନଟା            ସାଧୁକର୍ମ କଲେ

କାହାକୁ କାହିଁକି ଡରିବା ଭାଇ ?

 

ପ୍ରଭାତ ବିହଙ୍ଗ

 

କି ଗୀତ ଗାଉ ରେ            ପ୍ରଭାତ ବିହଙ୍ଗ

କି ଗୀତ ପ୍ରଭାତୁଁ ଗାଉ,

ଢାଳିଦେଇ ମଧୁ—            ସୁତାନର ଧାରା

ତରୁଡ଼ାଳେ ଲୁଚିଥାଉ ।

ତୋ ସ୍ୱନ ଶ୍ରବଣେ            ପଡ଼େ କି ରେ ମନେ

ଯୁଗଯୁଗାନ୍ତର ବାଣୀ,

ଲୋକଲୋକାନ୍ତର            ସୁଦୂର ବାରତା

ଭୂତ−ଭବିଷ୍ୟ−କାହାଣୀ ?

କେଭଁ ଦେବତାର କି      ଦିବ୍ୟ ବିଧାନେ

ଉଠିଣ ପ୍ରଭାତ କାଳୁଁ,

କେଉଁ ମନ୍ତ୍ରବଳେ କି            ସାଧନ ଫଳେ

ଅପୂର୍ବ ସୁତାନ ଚାଳୁ ।

ଅନ୍ଧାର ସଙ୍ଗତେ            ଅରୁଣ ସଂଗ୍ରାମ

ଆରମ୍ଭ ହୋଇ ନ ଥାଏ,

କେମନ୍ତେ ତୋ ଜ୍ଞାନ      ଉଷା ଆଗମନ

ଅଜ୍ଞାତ ବାରତା ପାଏ !

ଦୂର ସିନ୍ଧୁ ପାରେ            ପ୍ରାଚୀ−ଆକାଶରେ

ରବିଙ୍କର ଆଗମନ,

କେମନ୍ତେ ଜାଣି ରେ            କ୍ଷୁଦ୍ର ବିହଙ୍ଗମ

କରୁ ବନ୍ଦନା ଗାୟନ ?

କେଉଁ ଘଣ୍ଟା ଦେଖି            କେଉଁ ଲେଖା ଲେଖି

ଏଡ଼େ ଭ୍ରମଶୂନ୍ୟ ଭାବେ

ଆଲୋକେ ଅନ୍ଧାରେ      ଗ୍ରୀଷ୍ମ ବର୍ଷା ଶୀତେ

ଶୁଣାଉ ତୋ ଧ୍ରୁବ ରାବେ ।

କେମନ୍ତେ ତୋହର            ଭାଙ୍ଗିଯାଏ ନିଦ୍ରା

ଷଡ଼ଋତୁ ବାରମାସେ

ନିଶା−ଶେଷ−ଯାମେ            ବ୍ରାହ୍ମ ମୁହୂର୍ତ୍ତରେ

ଶୁକ୍ର ତାରା ପରକାଶେ ।

 

ଦିନେହେଁ କି ହେଲେ      ରୋଗ ଶୋକ ଦୁଃଖେ

ହୁଏ ନାହିଁ ତୋ କମାଇ,

କି କର୍ତ୍ତବ୍ୟ−ନିଷ୍ଠା            ଅଦ୍ୟମ ଉତ୍ସାହ

ଦେଲେ ତୋତେ ବିଶ୍ୱସାଇଁ !

କି ଅର୍ଥ ଅଛି ରେ            ତୋ ଅମୃତ ତାନେ

କି ଗୂଢ଼ ରହସ୍ୟରାଶି

ଅପୂର୍ବ ଆବେଗେ            ସିକ୍ତ ହୁଏ ଆତ୍ମା

ସଂସାର ମୋହ ବିନାଶି !

ନିତି ନିତି ଆସି            ଲୋକାଳୟେ ବସି

ଉଦ୍‍‌ବୋଧୁ ଅମୃତ ସ୍ୱନେ,

ତୋ ସ୍ୱନ ଶ୍ରବଣେ            ଆରେ ଦିବ୍ୟଦୂତ

ପଡ଼େ କି ସ୍ୱର୍ଲୋକ ମନେ ?

ଅବିଦ୍ୟା−ଅନ୍ଧାରେ            ଜଡ଼ିତ ମାନବ

ତୋ ସ୍ୱର୍ଗୀୟ ସୁଧାପାନେ,

ଉଦ୍‌ବୁଦ୍ଧ ହୁଅଇ            ନବୀନ ଜୀବନେ

ଉଠେ ଲଭି ନବପ୍ରାଣେ ।

କେଉଁ ଦୂର ଦେଶ            ବାରତା ଦେଉ ରେ

କେଉଁ ଦେବଦେଶୁଁ ଆଣି,

ଅପୂର୍ବ ଆବେଶେ            ଆବିଷ୍ଟ ପରାଣେ

ଜାଗନ୍ତି ଜନ ପରାଣୀ ।

ନ ଥିଲେହେ ସ୍ୱରେ            ସଂସାରିକ ଅର୍ଥ

ଅସରନ୍ତା ଅର୍ଥେ ଭରା,

ମୋହନ ମନ୍ତର            ମୋହାବେଶ−ପୂର୍ଣ୍ଣ

ଅନନ୍ତ−ଆକାଶ ପରା ।

ବିଶାଳ ଆକାଶ            ଅବ୍ୟକ୍ତ ଅବ୍ୟୟ

ନାହିଁ ତା ବର୍ଣ୍ଣ ବିକାଶ,

ତଥାପି ଯେସନ            ବର୍ଣ୍ଣ−ବଇଭବ

ରବିକରେ ସୁପ୍ରକାଶ ।

 

ସେହିପରି ତୋର            ଅସ୍ପଷ୍ଟ ସଙ୍ଗୀତେ

ନ ଥିଲେହେଁ କିଛି ଅର୍ଥ,

ଭାବ−ଭାନୁକରେ            ହୋଇ ପ୍ରତିଭାତ

ପ୍ରକାଶେ ଅନନ୍ତ ଅର୍ଥ ।

ଥାଆନ୍ତା ଯେବେ ରେ      ମୋର ଏ ସଙ୍ଗୀତେ

ସେହିପରି ଗୂଢ଼ ତତ୍ତ୍ୱ

ଦିବ୍ୟଗୀତ ଗାଇ            ମୋ କବି−ଜୀବନେ

ଦିଅନ୍ତି ମୁହଁ ମହତ୍ତ୍ୱ ।

 

ପ୍ରଭାତ

 

ସୁଲୁ ସୁଲୁ ପବନ            ବହଇ ଘନ ଘନ

ଲତାପତ୍ର ମରମର ଥରଥର କମ୍ପନ

ରକ୍ତପିଣ୍ତ ସମାନ            ରବି ଉଦୀୟମାନ

ପୂରୁବ−ଗଗନ ଆହା ଦିଶେ ଅତି ଶୋଭନ

ଚଳଦଳ ପିପ୍‌ପଳ‍—      ଡାଳ ତଳେ ଢ଼ଳ ଢ଼ଳ

ଗମ୍ଭୀର ମୂରତି ଉଭା ଦୂରେ ପର୍ବତଗଣ

ହମ୍ବାରଡ଼ି ଛାଡ଼ିଣ            ଗୋ−ଗୋଷ୍ଠେ ଗାଭୀଗଣ

ଛୁଟନ୍ତି ବାଛୁରୀ ପାଶେ ହୋଇ ଉଚ୍ଛନ୍ନ ମନ ।

ବାଳାର୍କର କିରଣ            ଦୀର୍ଘଛାୟା ପତନ

ହରିତ ବିଟପୀଗଣ ପିନ୍ଧେ ପୀତବସନ

ନୀଡ଼ ଛାଡ଼ି ଚଢ଼େଇ            ପିଢ଼ା ବାଡ଼େ ବସଇ

ଗଛେ ଗଛେ ଉଡ଼ି କରେ ମଧୁତାନେ ଗାୟନ

ବାଡ଼ି ଧରି ହାତରେ            ବଳୀବର୍ଦ୍ଦ କାନ୍ଧରେ

ହଳ ଯୋଖି କୃଷକ କରେ ବିଲେ ଗମନ ।

ଖଡ଼ି ଧରି କରରେ            ମୁଢ଼ି ଧରି ଅଣ୍ଟିରେ

କରୁଛନ୍ତି ପିଲାମାନେ ଚାଟଶାଳୀ ଗମନ ।

ଦେଖି ଦେଖି ଏ ଛବି      ଲେଖି ଆଙ୍କ ହେ କବି

ବିଚିତ୍ର ସୁନ୍ଦର ଆହା ଅଟେ ଏହି ଭୁବନ ।

 

ବଷ ମେଲାଣି

 

ଅନାଉଁ ଅନାଉଁ ଅତୀତ ବରଷ

ନୀରବେ ଆରୋହି ଦୂତଗ ରଥେ,

ନୀରବେ ସମାପି ଆପଣା ସାଧନା,

କାହିଁ ଚାଲିଗଲା ଅଦୃଶ୍ୟ ପଥେ ।

କାହାର ନୟନୁଁ ଝରାଇ ଲୋତକ,

କାହା କଣ୍ଠୁ କାଢ଼ି କାଞ୍ଚନମାଳା,

ଜାଳି ହୃଦବନେ ଶ୍ମଶାନ ଅନଳ

କାହା ପ୍ରାଣେ ଢ଼ାଳି ବିଷମ ଜାଳା,

ପ୍ରଣୟ−ପିଆସା ଅତୃପ୍ତ ରଖିଣ

କାହାକୁ ବିଚ୍ଛେଦ ବିଷରେ ଦହି,

ଅନନ୍ତ ସିନ୍ଧୁକୁ ଅତୀତ ବରଷ

କି କର୍ମ ସାଧିଣ ଗଲା ରେ ବହି ।

 

ପୀୟୂଷେ ଗରଳ ଢ଼ାଳି ଦେଇ ଆହା

ଗଲା ପୁରାତନ ବରଷ କାହିଁ,

ସିନ୍ଧୁଗତ ସୋତ, ରୁକିଣ୍ମୀର ରଥ,

ଗଲା କଥା ଆଉ ବାହୁଡ଼େ ନାହିଁ ।

ବରଷ ପହିଲେ ଆଶାୟୀ ସାଧକ

ଅଦୃଷ୍ଟ ଅଜ୍ଞାତେ ନିହିଲା ମନ,

ଚାହୁଁ ଚାହୁଁ ଗଲା ବରଷକ ବିତି,

ନୋହିଲା ରେ ତାର ଇଷ୍ଟ−ସାଧନ ।

ବରଷ ଆରମ୍ଭେ ସ୍ୱଦେଶ−ସେବକ

କେତେ ଆଶା ରଖି ଉଦ୍ଦାମ ଚିତ୍ତେ,

ବାନ୍ଧିଲା ସାହସ, ଆତ୍ମପର ଭୁଲି

ବିସର୍ଜିବି ପ୍ରାଣ ଜଗତ ହିତେ ।

ଯେଉଁଠାରେ କର୍ମ ସେହିଠାରେ ଅଛି,

ଅତୀତ ବରଷ ଗଲା ଉଭାଇ;

 

ଉତ୍ସାହ ଉଦ୍ୟମ ଆଶା ପରପ୍ରୀତି

ଘେନିଗଲା ନିଜ ସ୍ରୋତେ ଭସାଇ ।

କେତେ ନବବୀର ଅଗ୍ନିମନ୍ତ୍ର ଜପି

ବୁଡ଼ିଲେ ଉଦାସ−ଅତଳ−ଜଳେ,

ପଡ଼ିଲେ ଜୀବନ−ଆହବେ ହାରିଣ

ନିରାଶା−ମରଣ କ୍ରୂର କବଳେ ।

କେହୁ ଛିନ୍ନ ହୋଇ ଲୋଭ−କଣ୍ଟକରେ

ସ୍ୱାର୍ଥ−ଜମ୍ବାଳରେ ପଡ଼ିଲେ ବୀରେ

ଆସିଥିଲେ ଶୁକ୍ଳଯଶ ଆଶେ ଆହା

ଅପଯଶ ବୋଝ ବହିଲେ ଶିରେ ।

ଅତୀତ ବରଷ କେତେ ଲୀଳାଖେଳା

ଦେଖାଇ ମହୀରୁ ମେଲାଣି ନେଲା,

କେଉଁ ଦେଶୁଁ ଆସି ହରଷ ବିଷାଦ

ଏ ବିଶ୍ୱେ ବରଷ ବାଣ୍ଟିଣ ଗଲା ।

 

କେତେ ବ୍ୟଥା ଦେଲା କେତେ ହୃଦୟରେ

ଦାରୁଣ ଅତୀତ ବରଷ ଆହା !

କାଳ−ଶିଶୁ ସେ ଯେ କଠିନ ତା ହିଆ

ବାଣ୍ଟିଗଲା ତା ନିୟତି ଯାହା ।

ଯାଅ ରେ ଅତୀତ ଘେନି ସୁଖ ଦୁଃଖ,

ସୁଖ ଦୁଃଖ ନୁହେ ଜଗତୋଦ୍ଦେଶ,

ବିଗତ ଭାବନା ଭବାଇ ଅତୀତ

ମୋର ବର୍ତ୍ତମାନେ ନ କର ଶେଷ ।

ତୋର ଶବ ତୁହି କର ରେ ସତ୍କାର,

କର ନିଜ ପ୍ରେତତ୍ରିୟା ଶ୍ମସାନେ;

ଆଶା−ତକ୍ରବାଳେ ଦିଶେ ନୀଳଚକ୍ର

ଯିବି ରେ ଧାମକୁ କଠୋର ପ୍ରାଣେ ।

ଦେଲେ ଦେଇଅଛୁ ଯେ ଦୁଃଖ ଦେବାର,

ହରିଲେ ହରିଛୁ ପରାଣ ଧନ,

 

ନିଶୀଥକୁ ଥାଉ ବିକଳ ବିଳାପ,

ଧରୁ ଧୈର୍ଯ୍ୟ ଦୀର୍ଘ ଦିବସେ ମନ ।

ବହିଲେ ବହିଛି ଚରଣେ କଣ୍ଟକ,

ଝରିଲେ ଝରିଛି ନୟନୁଁ ଜଳ,

ଚାଲିବି ସୁଦୀର୍ଘ ପଥରେ ମୁଁ ପୁଣି

ହୃଦୟେ ଧରିଣ ନବୀନ ବଳ ।

ନବୀନ ଉଦ୍ୟମେ ନବୀନ ଉତ୍ସାହ

ଘେନି ନବଆଶା ହୃଦୟେ ଧରି

ଚଳିବି ପାଷାଣକଠୋର ପଥରେ

ଯେତେ ଦିନ ପଥ ନ ଥିବ ସରି ।

ସରିବ କେଉଁଠି ଏ ଜୀବନ−ପଥ,

ଉଦ୍ଦେଶ୍ୟ ଏହାର କେବଣ ଠାଇଁ ?

ସଂଶୟ−ଦୋଳାରେ ଆନ୍ଦୋଳିତ ଚିତ୍ତ,

ସାହା ହୁଅ ମୋର ସତୀର୍ଥ ଭାଇ ।

 

ହସ୍ତ ଧରାଧରି ହୋଇ ଯିବା ମିତ୍ର,

ନୈରାଶ୍ୟ−ଅନ୍ଧାର ବାଧିବ ନାହିଁ,

ପଡ଼ିଲେ ବିପଦ−କଣ୍ଟକ ପଥରେ,

ଭ୍ରାନ୍ତି−ପାଷାଣରେ ଝଣ୍ଟିଲେ କାହିଁ ।

ସଂଶୟ−ଝଞ୍ଜାରେ ହେଲେ ବିକ୍ଷୋଭିତ

ଏକ ଆରେକରେ ଆନନ ଚାହିଁ,

ଏ ଭବ−ଗହନ−ବିପିନରେ ପାନ୍ଥ

ଯିବା ଚାଲ ଆଶା−ସଙ୍ଗୀତ ଗାଇ ।

ଗାଅ ଗାଅ କବି ଆଶାଗୀତ ଏବେ,

ନବୀନ ବରଷେ କର ବନ୍ଦନା,

ନବ କାଳ−ଶିଶୁ ଆଣିଥିବ କାଳେ

ଯାହା ବିଶ୍ୱ ବାଞ୍ଚା କବି−କଳ୍ପନା ।

 

ନବବର୍ଷେ (୧)

 

ହେ ନୂତନ ହେ ଅପୂର୍ବ ହେ ଦୁର୍ବୋଧ୍ୟ ହେ ଚିରବାଞ୍ଚତ ।

ତୋହ ପଛେ ପଛେ କିମ୍ପା ମୁଗ୍‍ଧବତ ଧାଏଁ ମମ ଚିତ୍ତ ?

ପାଶେ ଯାହା ଅଛି ମୋର ପାଇଅଛି ଯାହା ମୁଁ ଅନ୍ତରେ,

ନାହିଁ ମାୟା ତାହା ପ୍ରତି ମୋହ ମମ ଅଜ୍ଞାତ ରାଜ୍ୟରେ ।

ସେ ସୁଷ୍ମପ୍ତ ସେ ନିଭୃତ ପୁରେ ମମ ପ୍ରବେଶ−ବାସନା,

ଛାୟାବାଜୀ ସମ ଯେଉଁ ମାୟା−ରାଜ୍ୟ ସୁଜଇ କଳ୍ପନା

ବଦ୍ଧତୃପ୍ତ ବର୍ତ୍ତମାନ ଜ୍ଞାତ ରାଜ୍ୟେ ନ ମାନଇ ମନ,

ହେ ନୂତନ ଅନନ୍ତର ଛାୟା ତୁହି ହେ ମନୋମୋହନ ।

ନବବର୍ଷ ପ୍ରଭାତରେ ଅର୍ଘସ୍ଥାଳୀ ଧରି ବଦ୍ଧ ହସ୍ତେ

ତବ ପ୍ରତୀକ୍ଷାରେ ଆଜି ଉଭା ହୋଇ ରହିଛି ସନ୍ତ୍ରସ୍ତେ ।

 

ହେ ନୂତନ ହେ ଅପୂର୍ବ ହେ ଅନନ୍ତ ହେ ଚିରବାଞ୍ଚିତ,

ତବ ଅନୁରକ୍ତ ମୁହିଁ କର କର୍ମ−ତଞ୍ଚଳ ମୋ ଚିତ୍ତ ।

ଏ ପୂର୍ବ−ଉଦଧି ତଟେ ନବ−ଉଷା କି ନବ ଉଦନ୍ତ—

ଧରି ଗର୍ତ୍ତେ ବିରାଜିବ ଉଜଳିଣ ପରାଚୀ ଦିଗନ୍ତ ।

ନୀରବରେ ନବବର୍ଷ ଦୂତ କେଉଁ ନବ ସମାଚାର

ଉଦାର ଆକାଶେ ଉଚ୍ଚୋନୀରବରେ କରିବ ପ୍ରଚାର ।

ବାରିଧିର ବାରିରାଶି ଉଚ୍ଛ୍ୱସିତ ଯେହ୍ନେ ନିରନ୍ତର

କଠିନ ସୀମାକୁ ଅତିକ୍ରମି ଯିବାପାଇଁ କି ତତ୍‌ପର ।

ଚଉପାଶେ ସୀମାବଦ୍ଧ ହେଲେହେଁ ମୋ ସଂକୀର୍ଣ୍ଣ ଶକତି,

ହେ ଅନନ୍ତ ! ତୋତେଚାହିଁ ରହିଥିବି ସ୍ୱକର୍ତ୍ତବ୍ୟ−ବ୍ରତୀ ।

 

ବନପ୍ରିୟ

—୧—

ପୁଣି ବର୍ଷକ ପରେ            ବସନ୍ତ ନିଶାନ୍ତରେ

ଶୁଭିଲା ପଞ୍ଚମ ସୁସ୍ୱର !

ପୁଣି ଶୁଣି ସେ ସ୍ୱନ            ଭୁବନ ବିମୋହନ

ଉଦାସ ପରାଣ ମୋହର !

ସ୍ମରଣ ହୁଏ ଗତ କଥା

ଅତୀତ ଜୀବନ ବାରତା,

ଅପୂର୍ବ ଅଭ୍ୟାଗତ            କାହୁଁ ତୁ ସମାଗତ

ନବ−ବସନ୍ତ−ବାର୍ତ୍ତାହର ରେ ବନପ୍ରିୟ ।

 

—୨—

ପିକ ! ତୋ“କୁହୁ” ସ୍ୱନେ ପଡ଼ଇ ମୋର ମନେ

ମଧୁର−ଶୈଶବ−ଜୀବନ

କେତେ ନଦୀ−ପ୍ରାନ୍ତର      ଘର−ଗ୍ରାମ−ନଗର

କେଦାର−ସର ଗିରିବନ ।

ବିଗତ ଜୀବନ−ସ୍ୱପନ

ହୁଏ ମୋ ଅସ୍ପଷ୍ଟେ ସ୍ମରଣ,

ଦୂର ଜନ୍ମାନ୍ତରର            ବିଷାଦଯୁକ୍ତ ସ୍ୱର

ଶୁଣେ ମୋ କଳ୍ପନା−ଶ୍ରବଣ ରେ ବନପ୍ରିୟ !

 

—୩—

ଯୁଗଯୁଗାନ୍ତରର            ସ୍ମୃତି ପଡ଼େ ମନର

ସ୍ୱଦେଶ−ପୂର୍ବ−ଗଉରବ—

ସ୍ମରି ହୁଏ ହୃଦୟ            ଘୋର ବିଷାଦମୟ

ଉଦିତ ହୁଏ ଆଶା ନବ ।

ନ ହେଉଁ ଆଶା ମୁକୁଳିତ

ସଂଶୟ−ବାତେ ପର୍ଯ୍ୟୁସିତ

ଉତ୍ସାହପୂର୍ଣ୍ଣ ସ୍ୱରେ            ଉଠାଅ ପିଅ ! ନରେ

ଫେରୁ ସେ ଅତୀତ ବିଭବ ରେ ବନପ୍ରିୟ !

 

—୪—

ଏ ଜଗତ ମାନବେ            ବିଦ୍ୟାବଳ ବିଭବେ

ଲଭନ୍ତି ଶାନ୍ତି ସୁଖମାନ,

ବିଶାଳ ଏ ଭାରତ            ପ୍ରାଚୀନ ସମୁନ୍ନତ

ହେବ ସେ ଭବିଷ୍ୟେ ମହାନ ।

ପିକ ! ତୁ ଛାଡ଼ି ‘କୁହୁ’ ସ୍ୱନ

ଭାରତେ କର ଉଦ୍‍‌ବୋଧନ

ପ୍ରବୁଦ୍ଧ ସୁଜାଗ୍ରତ            ହେଉ ବିଶ୍ୱ ଭାରତ

ବିସ୍ମରି ବିଦ୍ୱେଶ ଅଜ୍ଞାନ ରେ ବନପ୍ରିୟ !

 

—୫—

ପିକ ! ତୋ ଦିବ୍ୟସ୍ୱନେ ଆବର ପଡ଼େ ମନେ

କିବା ଅସ୍ପଷ୍ଟ ଦୂର ଗୀତ

କ୍ଷୁଦ୍ର ସଂସାର ବିତ୍ତ            ତୃପ୍ତ ନ କରେ ଚିତ୍ତ

ଅପୂର୍ଣ୍ଣ ତୃଷାର୍ତ୍ତ ମୋ ଚିତ୍ତ ।

ଅନନ୍ତ ଆଶା ମୋ ପ୍ରାଣରେ

ସଂସାର ନ ମେଣ୍ଟାଇ ପାରେ

କି ଦିବ୍ୟ ଧନ ପାଇ            କି ଦିବ୍ୟ ଗୀତ ଗାଇ

ତୃପତ ହେବ ଏ ମୋ ଚିତ୍ତ ରେ ବନପ୍ରିୟ !

 

—୬—

ଧନ−ସମ୍ଭୋଗ ମାନ            ଜନ−ସମ୍ଭ୍ରମ ଜ୍ଞାନ

କାହିଁରେ ନ ମେଣ୍ଟଇ ଆଶା,

ତୃଷା ବଢ଼ଇ ଭୋଗେ      ସାନ୍ନିପାତିକ ରୋଗେ

ଯେସନ ବଢ଼ଇ ପିପାସା ।

ଏ ଭବେ ସୁଖଶାନ୍ତି ନାହିଁ

ଶାଶ୍ୱତ ସୁଖ ଅଛି କାହିଁ ?

ସଂଶୟ−ହଳାହଳ            ପିଇ ପ୍ରାଣ ଦୁର୍ବଳ

କେ ଦେବ ମମ ପ୍ରାଣେ ଆଶା ରେ ବନପ୍ରିୟ !

 

—୭—

ଛନ୍ତି କି ଏ ବିଶ୍ୱର            ଜ୍ଞାନମୟ ଈଶ୍ୱର ?

କିବା ଏ ସୃଷ୍ଟି ପରିଣାମ ?

କାହୁଁ ଆସିଲା ଜୀବ ?      କାହିଁ ତା ଶେଷ ଯିବ ?

ଅଛି କି ଜୀବ−ଚିରଧାମ ?

କିବା ଘଟନାଚକ୍ର−ବଳେ

ତୋ ମୋହ ସୃଷ୍ଟି ଏ ଶୟଳେ ?

ଜଡ଼ଦେହ−ବର୍ଜ୍ଜନ            ସଙ୍ଗେ ଏ ଆତ୍ସାମନ

ତେଜିବେ ସ୍ୱଗୁଣ ସ୍ୱନାମ ରେ ବନପ୍ରିୟ !

 

—୮—

ଛନ୍ତି କି ଏ ବିଶ୍ୱର            ଜ୍ଞାନମୟ ଈଶ୍ୱର

ପୁରୁଷ ପବିତ୍ର ସୁନ୍ଦର ?

କି ରୂପେ କେଉଁଭାବେ      ଅଛନ୍ତି କେଉଁଠାବେ

ପାଏ କି ତାଙ୍କୁ ପାପି−ନର ?

ପିକ ! ତୋ ବୀଣାଜିଣା ସ୍ୱନ

ଗାଉ ସେ ସଙ୍ଗୀତ ମୋହନ,

କିପରି ଏ ସଂସାର—      ସାଗର ହେବି ପାର

ପାଇବି ଶାଶ୍ୱତ−ଜୀବନ ରେ ବନପ୍ରିୟ !

 

—୯—

ଦେଖନ୍ତି କି ସେ ପ୍ରଭୁ      ଏ ମନୋଦୁଃଖ ସବୁ ?

ବିଧାତା ସେ ପାପ ପୁଣ୍ୟର ?

ପାପି−ଗୁହାରି ଶୁଣି            ଦୟା ବିଚାରି ପୁଣି ?

ପାଏ କି ତ୍ରାଣ ପାପି−ନର ?

କିବା ସେ ନିଜ ବିଧିବଶେ

ନ୍ୟାୟର ବିଚାର ଆଦର୍ଶେ

ଦୟାକ୍ଷମାର ସ୍ଥାନ            ନାହିଁ ନା ତହିଁ ତ୍ରାଣ

ସ୍ୱ−କର୍ମ ଫଳୁଁ ଏ ଜୀବନ ରେ ବନପ୍ରିୟ !

 

ଭରତ ପକ୍ଷୀ ପ୍ରତି

—୧—

ଭରତ ! ତୁ ଗାଉ ରେ କି ଗୀତ

କାହୁଁ ତୁ ଦେଖିଲୁ ମମ ଚିତ୍ତ ?

ମୋ ପ୍ରାଣୁ ନେଇ ଛଡ଼ାଇ ତରୁଶାଖେ ବସି ଗାଇ

ଗୁପତ ଗୀତ ମୋ କରି ଦେଲୁ ରେ ପ୍ରକାଶ ;

ମୋ ପରି ବିହଙ୍ଗ ତୋର ପ୍ରାଣ କି ହତାଶ ?

 

—୨—

ପ୍ରତି ସ୍ୱନେ ବିରହ−ଆବେଶ,

ବିଷାଦର ନାହିଁ ଯେହ୍ନେ ଶେଷ,

କି ଯେହ୍ନେ ଲୋଡ଼ି ନ ପାଇ କି ପ୍ରାପ୍ତିର ଆଶା ନାହିଁ

କିଏ ଯେହ୍ନେ ତେଜି ଦୂରେ କାହିଁ ଅଛି ଯାଇ

କାନ୍ଦେ ପ୍ରାଣ ବିକଳରେ ଯେହ୍ନେ ତାହା ପାଇଁ ।

 

—୩—

କେତେ ନଦୀ ପର୍ବତ ପ୍ରାନ୍ତର

ପ୍ରିୟତମ ମୋ ମଧ୍ୟେ ଅନ୍ତର

ମନୋଦୁଃଖେ ଦୂର ବନ− ମଧ୍ୟେ କରି ମୁଁ ଗମନ

ପ୍ରାଣ−ଆଶା ତେଜି ପ୍ରିୟତମର ସନ୍ଦେଶ

କରୁଁ ଅଛି, ଏ ଦୁଃଖ କି ମୋର ହେବ ଶେଷ ?

 

—୪—

ମନେ ହୁଏ ଅତୀତ ବିଦେଶୁଁ

ଅଶେଷ ବିଗତ ଜନ୍ମ ଶେଷୁଁ

କେତେ କେତେ ପ୍ରିୟବରେ ମୋ ବିଚ୍ଛେଦେ ବ୍ୟାକୁଳରେ

ଆସି ଡୁଙ୍ଗି ମାରୁଛନ୍ତି ସ୍ମୃତି−ଗବାକ୍ଷରେ

ଦୋ−ଦୋ−ଚିହ୍ନା କରି ତାଙ୍କୁ ଚିହ୍ନି ମୁଁ ନ ପାରେ ।

 

—୫—

ନିରାଶା ନିଶ୍ୱାସ ମାରି ଯାନ୍ତି ମିତ୍ରମାନେ

ଦୂରବଂଶୀ ନାଦ ପରି ଶୁଭେ ସ୍ୱର କାନେ

କେତେ ଜନ୍ମଜନ୍ମାନ୍ତରେ କେତେକେତେ ପ୍ରିୟବରେ

“କେଉଁ ଆଡ଼େ ଗଲ କିଏ” କାନ୍ଦି ମୁଁ ମରଇ

ଦେଖିଲେ ଦଣ୍ଡେ ମୁଁ କିପାଁ କଥା ନ କହଇ ?

 

—୬—

ଦୂର ବନ୍ଧୁ ଆସିଣ ମୋ ପାଶେ

ଫେରିଯାନ୍ତି ଆହା ! ରେ ନିରାଶେ

ଦେଖନ୍ତି ସେ, ତାଙ୍କୁ ତେଜି ବିଷୟ ବନ୍ଧୁଙ୍କୁ ହେଜି

ଦୋ−ଦୋ ଚିହ୍ନାହୋଇ ତାଙ୍କୁ ମୁହିଁ ନ ପଚାରେଁ

ନେଉଟି ଯାଆନ୍ତି ତେଣୁ ଦୂର ନଦୀ ପାରେ ।

 

—୭—

ଚିନ୍ତା ତେଜି ତରୁଶିରେ ଚାହିଁ

ଦେଖେ ତହିଁ ପକ୍ଷୀ ଆଉ ନାହିଁ

କାହିଁ ଉଡ଼ିଗଲା ପକ୍ଷୀ ମନକଥା ମନେ ରଖି

ଭାଳିଲି ବେଳକୁ ବେଳ ବିଷୟ ପଥରେ

ଦିବ୍ୟଧମୁଁ ଯାଉଅଛି କଳୁଷ−ରଥରେ ।

 

—୮—

ଧର୍ମ−ବଡ଼ଦାଣ୍ଡେ ଯାତ୍ରୀଦଳ

ଶୁଭେ ଦୂରୂଁ କଳ−କୋଳାହଳ

ପରିଚିତ ସ୍ୱକ ଶୁଣି ଚମକି ଲେଉଟେ ପୁଣି

ସମଧର୍ମୀ ସହଯାତ୍ରୀ ଏ ଭବ−ଗହନେ

ତେଣୁ ରେ ଭରତ ! ମଣେ ମଧୁର ତୋ ସ୍ୱନେ ।

 

ନିସର୍ଗ−ଶୋଭା

 

କି ସୁନ୍ଦର ନିସର୍ଗର ନୀରବ ପ୍ରତିମା

ଭାବୁକ−ନୟନେ ଭାତେ କିବା ମଧୁରିମା

ଜଟିଳ କୁଟିଳ ନୀଚ ରୀତି ମାନବର,

ପ୍ରଶାନ୍ତ ଉଦାର ରୂପ ପ୍ରକୃତି, ତୋହର ।

ସତତ ଗମ୍ଭୀର ଶୁଭ୍ର ପ୍ରକୃତି−ଆନନ

ଚିନ୍ତା−ନେତ୍ରେ ଦିଶେ ସଦା ସୁନ୍ଦର ମୋହନ ।

ହେଲେହେଁ ପ୍ରବଳ ପ୍ରିୟ−ଆସଙ୍ଗ−ପିପାସା

ଦଣ୍ଡେ ବିସୋରିବି ସର୍ବେ, ବଳେ ମମ ଆଶା ।

ସୁସ୍ପଷ୍ଟ ପ୍ରକାଶ୍ୟ ରାଜଦାଣ୍ଡେ ଦ୍ୱିପ୍ରହରେ

ନ ମାନେ ମୋ ମନ ସେହି ବ୍ୟକ୍ତ ସ୍ୱରୂପରେ ।

ଆଚାର ଉନ୍ନତି ସ୍ୱାର୍ଥ ନର−ସମାଜର

ବିସୋରି ନିମଗ୍ନ ହେବି ନିସର୍ଗ ମଧ୍ୟର ।

କେମନ୍ତ ନୀରବ ସ୍ନିଗ୍‍ଧ ପବିତ୍ର ସୁନ୍ଦର

ଦେଖିଲେ ଉଦର କେତେ ଭାବ ମନୋହର ।

ଶ୍ୟାମଳ ପ୍ରଶାନ୍ତ ସ୍ନିଗ୍‍ଧ ଉଦ୍ଭିଜ୍ଜର ଶୋଭା

ପତ୍ର ପୁଷ୍ପ ଫଳେ ଆହା କିବା ମନୋଲୋଭା !

 

ପ୍ରାନ୍ତର, ସରସୀ, ନଦୀ, ହ୍ରଦ, ବନ, ଗିରି,

କେମନ୍ତ ସୁନ୍ଦର ଆହା ନିସର୍ଗର ଶିରୀ !

ଉପରେ ନିର୍ମଳ ନୀଳ ଅନନ୍ତ ଗଗନ

ତାରକା ନକ୍ଷତ୍ର ଚନ୍ଦ୍ରେ ମଣ୍ଡିତ ମୋହନ ।

ନିସର୍ଗ−ସୁଷମା−ଶାନ୍ତି ସ୍ଥିର ଚିରନ୍ତନ

ଆସକ୍ତ ତହିଁରେ ତେଣୁ ଯୋଗି−ଋଶି ଜନ ।

ଅଚିର ଚଞ୍ଚଳ ଏହି ସଂସାର−ବିଷୟ

ମଳିନ ଜଡ଼ିତ ସ୍ୱାର୍ଥେ କାମଭୋଗମୟ ।

ଆସୁଅଛି ମୃତ୍ୟୁ ନର ଯେତିକି ନିକଟେ

ଧରେ ନର ସଂସାରକୁ ସେତିକି ଆପଟେ

ଆସକ୍ତି−ବିଚ୍ଛିନ୍ନ କରି ମରଣ ନିକଟ

ଝିଙ୍କି ନେଇ ନିଶ୍ଚେ ଆଶା ଭାଙ୍ଗିବ ନରର ।

 

ନିଶ୍ଚେ ଦିନେ ଭାଙ୍ଗିଯିବ ଯେବେ ମୋହ ଆଶା

କିପାଁ ବଢ଼ାଇବି ଏହି ବିଷୟ−ପିପାସା ?

ମରଣର ଅନୁରୂପ ନିସର୍ଗ ପ୍ରତିମା

କେହି ନ ପାରଇ ହରି ତାହାର ଗରିମା

ସଂସାର−ସୌନ୍ଦର୍ଯ୍ୟ−ପ୍ରୀତି ଚଞ୍ଚଳ ଅଚିର

ଚିରନ୍ତନ ସ୍ଥିର ରହେ ଶୋଭା ପ୍ରକୃତିର ।

ବିଷୟ−କୃତ୍ରିମ−ଭାବୁଁ ଏ ମନେ ଫେରାଇ

ଅନୁଦିନ ପ୍ରକୃତିରେ ଦେବି ପ୍ରବର୍ତ୍ତାଇ ।

 

ଭାରତୀ ବନ୍ଦନା

 

ଭାରତି ! ତବ ପଦାରବିନ୍ଦେ ମନ୍ଦ ଆଜି ବନ୍ଦେ

ବନ୍ଦିଥିଲଇଁ ପଦାରବିନ୍ଦେ କି ସୁନ୍ଦର ଛନ୍ଦେ ।

ଅନ୍ଧ ହେଲଇଁ ମନ୍ଦର ମେଳେ ମନ୍ଦିରୁ ଗଲି ଦୂରେ

ସୁନ୍ଦର ଛନ୍ଦ ହୃଦି ମନ୍ଦିରେ ଆଉ ତ ନସ୍ଫୁରେ ।

 

ନବବର୍ଷେ (୨)

(ରାଗ କଳହଂସ କେଦାର)

 

—୧—

କି ନବମନ୍ତ୍ର ପଢ଼ ନବବରଷ,

କି ଅପୂର୍ବ ମୋହନ ତବ ପରଶ ।

ନବୀନ ହରଷରେ ସରବେ ମାତି

ନବୀନ ଗୀତ କେତେ ରଙ୍ଗେ ଗାଆନ୍ତି ।

କେଉଁ ଦେଶରୁ ଆସି ନବ ଅତିଥି,

କିବା କାହାଣୀ କହ, ଗାଅ କି ଗୀତି,

ନବ ଆନନ୍ଦେ ମାତି ନବ ଜୀବନ—

ତରୀ ନବ ଉତ୍ସାହେ କରି ଚାଳନ ?

 

 

—୨—

ମୁହିଁ କି ଏକା ପଡ଼ିଥିବି ବିଜନେ

ଅତୃପ୍ତ ପରାଣରେ ଅଶାନ୍ତ ମନେ ?

ଅରଣ୍ୟ−ଶୁଷ୍କକାଷ୍ଠ ପରାୟେ ଭାଇ,

ଆଡ଼ ଆଖିରେ ମୋତେ ଚାହିଁବ ନାହିଁ ?

ଥିଲା ମୋହର ଦିନ ବେଳେ ଏମନ୍ତ,

ଅତିଥି ଦେଖି ହେଉଥିଲି ଉଷତ ।

ଆନନ୍ଦେ ଅର୍ଘ୍ୟ ଦେଇ କରି ଆଦର

କୁଟୀରେ ଘେନି ଯାଉଥିଲି ସତ୍ୱର,

ନବଯୌବନ ନବ−ଉତ୍ସାହ−ଜଳେ

ଧୋଉଥିଲି ଅତିଥି ପଦକମଳେ,

ବରେଣ୍ୟ ପଦେ କରୁଥିଲି ଆରତି

ଦେଇ ନବଯୌବନ ପୂର୍ଣ୍ଣ ପୀରତି ।

ପୁଣି କି ସେ ଦିନ ମୋ ଫେରିବ ନାହିଁ,

ଉତ୍ସାହ−ଅଗ୍ନି ଲିଭିଗଲା କିପାଇଁ ?

ପ୍ରଭୁ ହେ, ମୁହିଁ ପରା ପୁରୁଣା ଦାସ,

ମୋ ଘରେ ଦିନେ ହେଲେ କରିଛ ବାସ ।

ଅଛି କି ନାହିଁ ତାହା ତବ ସ୍ମରଣେ,

ଚରଣ−ରେଣୁ ଦେଲ କୁଟୀର କଣେ ।

 

ରାଜରାଜେଶ, କରିଥିଲ କରୁଣା,

ମୋ ନିଜ ଦୋଷେ ହେଲା କରୁଣା ଊଣା ।

ନାଁ ଡାକୁଁ ମିଳିଥିଲା ଏ ଅକିଞ୍ଚନେ,

ଏବେ ଦୁର୍ଲ୍ଲଭ ହେଲ ମୋ ଆକିଞ୍ଚନେ

ଚିହ୍ନି ନ ଥିଲି ଥିଲ ଅପରିଚିତ,

ଶୈଶବେ ଅଧିକାର କଲ ଏ ବିତ୍ତ ।

ପବିତ୍ର ବାଲ୍ୟକାଳେ ଏ ପ୍ରାଣେ ମମ

ବିରାଜିଲ ବିଶ୍ୱାସେ ହେ ପ୍ରିୟତମ !

ମଧୁର ସୁମୋହନ ରୂପ ସୁନ୍ଦର

ନିରେଖି ଅଶ୍ରୁ ଝରୁଥିଲା ମୋହର ।

 

ତୁଚ୍ଛ ତା ପାଶେ ସୁଖ ରାଜ୍ୟେଶ୍ୱରର

ଯେ ସୁଖ ଦେଇଥିଲ ହେ ପ୍ରାଣେଶ୍ୱର !

ଏବେ ରହିଲ ଯାଇଁ କେଉଁ ଗହନେ,

ଅରକ୍ଷ ହୋଇ ବୁଲେଁ ମୁଁ ଭବ−ବନେ ।

ପଥ ହରାଇ ଭବ−ମରୁପ୍ରାନ୍ତରେ

ଘୋର ଦୁଃଖରେ ପଡ଼ିଅଛି କାତରେ ।

ନିନ୍ଦିବି ନାହିଁ ପ୍ରଭୁ, ତୁମ୍ଭ ମହିମା

ତେଜି ତୁମ୍ଭଙ୍କୁ ବୋଳି ହେଲି କାଳିମା ।

ବିରାଜୁଥିଲ ଯେଉଁ ପବିତ୍ର ବାସେ

ଏବେ ବିକ୍ରୀତ କ୍ଷୁଦ୍ର ବିଷୟ ପାଶେ ।

କଳୁଷରାଶି ଲାଗି ଗଲା ସ୍ୱଚ୍ଛତା,

ଏ ପ୍ରାଣେ ନାହିଁ ଆଉ ସେ ପବିତ୍ରତା ।

ତେଣୁ ନେତ୍ରେ ନ ଭାତ ହେ ପ୍ରଭୁ, ଆଉ,

ବଳି ପଡ଼ିଛି ମୋର ଦିର୍ଭାଗ୍ୟ ଦାଉ ।

ପତିତପାବନ ତ ନାମ ତୁମ୍ଭର

ପାପ ସସୀମ କୃପା ଅଟେ ଅପାର ।

 

କରୁଣା−ନୀରେ ଧୋଇ ଜୀର୍ଣ୍ଣ କୁଟୀରେ

ବିରାଜ ଆସି ଏହି କ୍ଷୁଦ୍ର ମନ୍ଦିରେ ।

ହେଉ ସାର୍ଥକ ଜନ୍ମ ଧନ୍ୟ ଜୀବନ,

ପୂର୍ଣ୍ଣ କର ଦୀନର ଏ ଆକିଞ୍ଚନ ।

ତବ ଦୟାରେ ଦାବୀ ନାହିଁ ମୋହର,

କ୍ଷମ ସମସ୍ତ ଦୋଷ ଦୟାସାଗର ।

ତବ ଚରଣପ୍ରାନ୍ତେ ଦିଅ ହେ ସ୍ଥାନ,

“ହରି ହେ” ବୋଲି ପିଣ୍ଡୁଁ ଯାଉ ଏ ପ୍ରାଣ ।

ନିଜ ଗୁଣରେ ତାର ହେ କୃପାମୟ,

ଅନ୍ତେ ସେ ପଦପ୍ରାନ୍ତେ ଦିଅ ଆଶ୍ରୟ ।

 

ଭାବକୁସୁମ

 

ଆଜି ଦିନ ଚାଲିଗଲେ ଆଉ ନ ଫେରିବ,

ଏ ଭାବଟି ହଜିଗଲେ ଆଉ ନ ମିଳିବ ।

ଏ ଫୁଲଟି ଝଡ଼ିଗଲେ ଆଉ ନ ଫୁଟିବ,

ଏ ଦୀପଟି ଲିଭିଗଲେ ଆଉ ନ ଜଳିବ ।

କେତେ ନୂଆ ନୂଆ ଦିନ ଜଗତେ ଆସିବ,

କେତେ ନୂଆ ନୂଆ ଭାବ ପରାଣେ ଉଦିବ ।

କେତେ ନୂଆ ନୂଆ ଫୁଲ ଜଗତେ ଫୁଟିବ,

କେତେ ନୂଆ ନୂଆ ଦୀପ ନିଶୀଥେ ଜଳିବ ।

ଯେ ଗଲା ସେ ଗଲା ଆହା, ଆଉ ନ ଫେରିବ

ପୁଣି କି ରୁକିଣୀରଥ ବାହୁଡ଼ି ଆସିବ ?

ଯେ ଭାବ−କୁସୁମ ମମ ଭାବ−ଉପବନେ

ଫୁଟି ଉଠୁଥିବ ତେଣୁ ବିଧିର ବିଧାନେ ।

ତୋଳି ରଖୁଥିବି ଯତ୍ନେ ନିଶୀଥ−ବର୍ତ୍ତକା—

ନିର୍ବାଣ ଆଗୁଁ, ନ ପଡ଼ୁଁ ପ୍ରାଣ−ଯବନିକା ।

 

କି ଗୀତ ଗାଇବି ?

 

“ଗାଅ ଗାଅ ବନ୍ଧୁ ଗୀତଟିଏ ଗାଅ,

ଶୁଣିବାକୁ ଆମ୍ଭ ହେଉଛି ମନ,

ତୁନି ହୋଇ କେହ୍ନେ ଘରେ ବସିଥାଅ,

ଗାଅ, ପୁଣି ଗାଇଥିଲ ଯେସନ ।”

ପ୍ରଭାତ କାଳରେ ପୁରାତନ ମିତ୍ର

ପଦରଜେ ଦ୍ୱାର କଲେ ପବିତ୍ର,

ବସିଲେ ହସିଲେ ଭାଷିଲେ ସୁଚିତ୍ତେ

ବୋଇଲେ “ବନ୍ଧୁ ମୁଁ ବଡ଼ ଦୁଃଖିତ

କି ହେଲା ଆମ୍ଭର ସାହିତ୍ୟ−ସଂସାର

ଜୀବନ ସ୍ପନ୍ଦନ ଆଉ ତ ନାହିଁ ।

 

ଜୀବନ ଲକ୍ଷ୍ୟ କି ଆହାର ବିହାର ?

ଆଉ କିଛି ଚାଲ କରିବା ଭାଇ ।

ଯେ ଯାହାର ‘ସୁଖେ’ ସଂସାର ସେବାରେ

ମଗ୍ନ ରହିଛନ୍ତି ସ୍ୱଦେଶ ଜନେ

କାହାରି ତ ମନେ ପଡ଼ୁ ନାହିଁ ବାରେ

ଦିନ ଯାଉଅଛି କି ଅକାରଣେ !

ସମନ୍ତେ ତ ଯିବା ସେ ଦେଶେ ଯେ ଦେଶୁଁ

ଗଲେ କେବେ କେହି ଫେରନ୍ତି ନାହିଁ

ଆସିଥିଲେ ଭବେ ଯେ ମହା ଉଦ୍ଦେଶ୍ୟେ

କେତେ ବା ସଫଳ ହେଲା ତା ଭାଇ ?”

କହିଲି ବନ୍ଧୁଙ୍କୁ ସଂସାର−ଜମ୍ବାଳେ

ଲୋଟି ପ୍ରାଣ ମମ ଘୋର ଆବିଳ

ବଦ୍ଧ ମମ କଣ୍ଠ ନ ସ୍ଫୁରଇ ଢ଼ାଳେ

ସରସ ସଙ୍ଗୀତ ପ୍ରାଣ ପଙ୍କିଳ ।

 

ସଦୁଦ୍ଦ୍ୟମେ ଭାଇ, ସଙ୍ଗୀତ ମୁଁ ଗାଇ

କରିବଇଁ ତବ ସନ୍ତୁଷ୍ଟ ଚିତ୍ତ,

ସାନନ୍ଦଚିତ୍ତରେ ବାହୁଡ଼ିଲେ ଘରେ

ଅଭିନ୍ନ−ହୃଦୟ ପ୍ରାଣର ମିତ ।

ପଡ଼ିଲା ଭାବନା କେସନେ କାମନା

ସିଦ୍ଧ ହେବ ମିତ୍ର ଶୁଣିବେ ଗୀତ,

ଘେନି ଏ ବାସନା ବାଣୀ−ଆରାଧନା

କଲି, ଛନ ଛନ ମନ ଚିନ୍ତିତ ।

 

ଗୀତ

 

ଗାଇଥିଲି ଗୀତ ଦିନେ ଦେବି ବୀଣାପାଣି !

ଦୁର୍ଲ୍ଲଭ କବିତା ଯେବେ ଦେଇଥିଲ ଆଣି ।

ମଧୁର ଯୌବନେ ମମ କବିତାର ସ୍ୱନ,

ଶୁଣି ତୃପ୍ତ ହେଲା ପାଖ ପଡ଼ିଶାଙ୍କ ମନ ।

 

ଏବେ କଟାଳନ୍ତି “ଶୁଣା ଶୁଣା ପଦେ ଗୀତ,

ଶୁଣି ତୃପ୍ତ ହେଉ ଯେହ୍ନେ ହୋଇଥିଲା ଚିତ୍ତ ।”

କାହିଁ ସେ ସମୟ ମୋର କାହିଁ ସେ ଶକତି ?

କିପରି ତୋଷିବି ତାଙ୍କୁ ଶଙ୍କା ମମ ଅତି ।

କି ସ୍ୱରେ ଗାଇବି ଗୀତ ଶୁଣିବ ହେ ମିତ ?

କି କବିତା ଶୁଣି ତବ ତୃପ୍ତ ହେବ ଚିତ୍ତ ?

ବାଣୀ ଆରାଧନା ତେଜି ସେବିଲି ସଂସାର

ମନା ହୋଇଗଲା ମୋତେ ଶ୍ରୀକୋଠଭଣ୍ଡାର ।

କବିତା ଲୋଡ଼ଇ ସିନା ଏକାନ୍ତ ଅନ୍ତର

ନୋହିଲେ କି ହେବ ଯୋଡ଼ି ଶବଦ ମାତର ।

କେତେବେଳେ କି ହୋଇଲା ନ ପାରିଲି ଜାଣି;

ଗୀତ ବୋଲି ଯାଉଥିଲି ଲେଖନୀକୁ ଟାଣି ।

ନାହିଁ ସେ ଅଭ୍ୟାସ ଆଜି ଦେବୀ−ଅନୁଗ୍ରହ,

ନାହିଁ ସେ ଆବେଶ ଅଛି ଶବଦନିବହ ।

ଶ୍ରୀମନ୍ଦିର ଦ୍ୱାରେ ଥାଇଁ ଗାଇବଇଁ ଗୀତ,

ଫେଡ଼ିଦିଅ ଦ୍ୱାର ପୁଣି କାରୁଣିକ ଚିତ୍ତ !

ଶୁଣିଛି ଚଣ୍ଡାଳ ଘରେ ଯାନ୍ତି ବିଷ୍ଣୁପ୍ରିୟା,

ତରଳିବ ବିନତିରେ ସେ କୋମଳ ହିୟା ।

 

ସାହିତ୍ୟ−ରତ୍ନ

 

ଦେଖିଲି ନୟନେ ଭାରତୀଭୁବନେ

କେତେ କେତେ ମହାରତ୍ନ ସଞ୍ଚିତ,

ବାଲମୀକି ବ୍ୟାସ କବି କାଳିଦାସ

ଭବଭୂତି ଆଦି କବି ବିଦତ ।

କିଏ କେତେ ରତ୍ନ ଜ୍ଞାନ−ରତ୍ନାକରୁଁ

ଛାଣି ଆଣିଦେଲେ, ପୁଚ୍ଛିଲି ଦିନେ,

ଆହା ରେ ଦଇବ ! ଧିକ ଆମ୍ଭ ଜାତି

ବନ୍ଧୁବର ମୋତେ କହିଲେ ଦୀନେ ।

 

ଉଠ ଉଠ ଭାଇ, ନ କର ହେ ମଠ

ଲାଗିଯାଅ ଯେଝା ଶକତି ପଣେ,

କିଛି କିଛି ଦେଲେ ଭାରତୀଚରଣେ

ସବୁ ମିଶି ଭାଇ, ହେବ ହେ ପଣେ ।

 

ଚନ୍ଦ୍ର, ତାରା ଓ ଖଦ୍ୟୋତ

 

କହନ୍ତି ବାନ୍ଧବମାନେ ପ୍ରଭୁ !“ଗୀତ ଗାଅ ଗୀତ ଗାଅ କବି !

ଚିତ୍ରି ଦିଅ ଦେଶବାସୀ ଆଗେ ନବ ନବ ମହାଦର୍ଶ ଛବି ।”

କି କରିବି କି କରିବି ପ୍ରଭୁ, ଶୂନ୍ୟାୟିତ ଏ ମମ ପରାଣ

ନାହିଁ ତ ସମ୍ବଳ ଏ ହୃଦୟେ ପଡ଼ିଶାଙ୍କୁ କି କରିବି ଦାନ ?

ସାଧନା−ଭାବନା−ସାଧୁ ଚିନ୍ତା−ସାଧୁକର୍ମ−ଫଳ ସିନା ଗୀତ

ନ ଥିଲେ କେବେହେଁ ହେବ ନାହିଁ ମୁଗ୍‍ଧ ମମ ଶ୍ରୋତାଙ୍କର ଚିତ୍ତ

ପରଠାରୁ ଚୋରି କରି ଭାବ ପଡ଼ିଶାଙ୍କୁ ଦେଲେ ଦେଇପାରେଁ,

ଶ୍ରୋତା ବକ୍ତା ବେନିଙ୍କ ମଧ୍ୟରେ ଲାଭ କାହିଁ କାହାର ତହିଁରେ ?

ରବି ଶଶୀ ତାରକା ନକ୍ଷତ୍ର ସ୍ୱକିରଣ କରିଣ ବିସ୍ତାର

ତୁମ୍ଭରି ସଙ୍କେତେ ମହାପ୍ରଭୁ ! କରୁଥାନ୍ତି କର୍ମ ଯେ ଯାହାର—

ଖଦ୍ୟୋତ ସମାନ ଝିକି ଝିକି କ୍ଷୀଣ ପ୍ରଭା କିରଣ ବିସ୍ତାର ।

ଏ ସଂସାରସରଣୀପାର୍ଶ୍ୱରେ ରହି ପ୍ରଭୁ, ଲଭେ ମୁଁ ନିସ୍ତାର ।

କେହି କେବେସେ ଆଭା ନିରେଖି ପ୍ରାଣେ ଯେବେ ଲଭେତିଳେ ସୁଖ

ମରିବି ନିଶୀଥଦୀପପାଶେ ଜୀବନର ଏହି ମୋର ସୁଖ ।

 

ଗ୍ରନ୍ଥକାର ଓ ସମାଲୋଚକ

 

ପଢ଼ିଲି ସମାଲୋଚନା ସମ୍ୱାଦପତରେ,

ବଡ଼ ଦୁଃଖ ହେଲା ଆହା ଏ ମମ ଅନ୍ତରେ ।

ରୁକ୍ଷ ଆଲୋଚନାରେ ମୋ ଦୁଃଖ କିଛି ନାହିଁ,

ପଚାରୁଛି ଥରେ ଗ୍ରନ୍ଥ ପଢ଼ିଛ କି ଭାଇ ?

ନୁହନ୍ତା ଯାତନା କିଛି ଏ ତୀବ୍ର କଟାକ୍ଷେ,

ପଢ଼ିଥାନ୍ତ ଗ୍ରନ୍ଥ ଯେବେ ବାରେକ କଟାକ୍ଷେ ।

କେତେ ଆୟାସରେ ଗ୍ରନ୍ଥ ଲେଖି ଗ୍ରନ୍ଥକାର

କେତେ ଅର୍ଥବ୍ୟୟ କରି କଲା ତା ପ୍ରଚାର ।

ନ ପଢ଼ି ଆମୂଳ ଥରେ ତୀବ୍ର ଆଲୋଚନା

ବ୍ୟକ୍ତିଗତ ଜୀବନର ଘଟନା ବର୍ଣ୍ଣନା ।

ଗ୍ରନ୍ଥ କାର ଲଲାଟରେ ଲିହିଅଛି ବିହ

ବିଶେଷରେ ଏ ଦେଶରେ ସଦା ସତ୍ୟ ଏହି ।

 

ଗ୍ରନ୍ଥକାରଠାରୁ ସଦା ବଡ଼ ଆଲୋଚକ,

ଦୁର୍ଲ୍ଲଭ ମାତ୍ରକ ଦେଶେ ଗ୍ରନ୍ଥର ପାଠକ ।

ପଢ଼ି ଯେବେ ଗ୍ରନ୍ଥକାର ସମସ୍ତ ପୁସ୍ତକ

ଦୋଷ ଦିଅ, ମୁଣ୍ଡାଇବି ନୁଆଇଁ ମସ୍ତକ;

ଖଣ୍ଡେ ଅଧେ ପଢ଼ି ଯେବେ ନିଅ ମତ ଗଢି

ପଲ୍ଲବଗ୍ରାହିତା ଜ୍ଞାନ ଗର୍ବେ ଯାଇ ସଢ଼ି;

ବର୍ଷ ବାକ୍ୟ−ବାଣ ସ୍ତମ୍ଭେ ସମ୍ବାଦପତ୍ରର,

ତହିଁରେ କି ଚାରା ଅଛି ହେ ବିଜ୍ଞ; ମୋହର ?

କରିବାକୁ ଗ୍ରନ୍ଥକାର ସ୍ଥାନ ନିରୂପଣ

ସମସ୍ତ ଗ୍ରନ୍ଥ ତାହାର କର ଅଧ୍ୟୟନ ।

 

ବିଶ୍ୱବନ୍ଦନା

 

ତାଳେ ତାଳେ ନାଚି ତୁମ୍ଭରି ନାମ

ଗାଉଛି ନିରତେ ଏ ବିଶ୍ୱଧାମ

କୋଟି କୋଟି ଗ୍ରହ ଭ୍ରମନ୍ତି ସ୍ୱପଥେ

ଅନନ୍ତ ନୀଳବିମାନେ ।

ତୁମ୍ଭରି ଲାବଣ୍ୟ କୁସୁମବନେ

ତୁମ୍ଭରି ମହିମା ନୀଳଗଗନେ

ବିଜୟ ତୁମ୍ଭର ଯୁବ ଯୁଗାନ୍ତର

ବିଶାଳ ମାନବମନେ ।

ସତୀର ପୂଣ୍ୟରେ ତୁମ୍ଭରି ପୁଣ୍ୟ

ଶିଶୁ ଶୁଭ୍ରାନନେ ତବ ଲାବଣ୍ୟ,

କର୍ମ୍ମୀର କରମେ ମହାଜ୍ଞାନି−ଜ୍ଞାନେ

ତୁମ୍ଭରି ଶ୍ରୀକର ଚିହ୍ନ ।

 

ଭକ୍ତ−ରସନାରେ ତୁମ୍ଭରି ନାମ

ବିହଙ୍ଗ−ସୁକଣ୍ଠେ ତବ ସୁତାନ

ପର୍ବତ−କନ୍ଦରେ, ଦେବତାମନ୍ଦିରେ

ବନ୍ଦିତ ତୁମ୍ଭରି ନାମ ।

ବସନ୍ତମଳୟେ ତୁମ୍ଭରି ଗାଥା

ଶାରଦଜ୍ୟୋତ୍ସ୍ନାରେ ତବ ବାରତା

ମହାସିନ୍ଧୁଜଳେ ଚନ୍ଦ୍ରମାମଣ୍ଡଳେ

ତୁମ୍ଭରି ଆନନ୍ଦ ଛବି ।

ପ୍ରାବୃଟେ ପ୍ରବଳ ପବନ ବେଳେ

କାଦମ୍ବିନୀ କୋଳେ ଚପଳା ଖେଳେ

ନବ ମଧୁକାଳେ ସହକାରଡାଳେ

ପିକ ତବ ତାନ ତାଳେ ।

 

ପତ୍ରପୁଷ୍ପଫଳେ ତରୁନିକରେ

ଆନମିତ ଶିରେ ତବ ପୟରେ

ସୁରଭି ସମ୍ଭାର ଦେଇ ଉପହାର

କୋଟି ବନ ବନାନ୍ତରେ ।

ହେ ପ୍ରଭୁ, ତୁମ୍ଭରି ପବିତ୍ର ନାମ

ଧରିଣ ଶ୍ରୀପଦେ କରି ପ୍ରଣାମ

ଭକ୍ତେ ତରିଗଲେ ଏ ସଂସାର ଭଲେ

ଯୁଗେ ଯୁଗେ ବିଶ୍ୱଜୟୀ ।

 

ପ୍ରାର୍ଥନା

 

ହେ ସତ୍ୟ ! ହେ ଶିବ ସୁନ୍ଦର !

ଦିଅ ହେ ପ୍ରଭୁ ! ଏହି ବର

ତୁମ୍ଭ ପବିତ୍ର ଶ୍ରୀଚରଣ

ନିରତେ କରୁଥାଏଁ ଧ୍ୟାନ ।

ତୁମ୍ଭ ଶ୍ରୀକର ସଂକେତରେ

ପାଳେଁ କର୍ତ୍ତବ୍ୟ ଜୀବନରେ ।

ତୁମ୍ଭ ଶ୍ରୀମୁଖ−ଶୋଭା ଦେଖି

ମୋ ମନ ରହିଥାଉ ଲାଖି ।

 

ବିଭୁପ୍ରେମ (୧)

 

କଳ କଳ ତାନେ ଗହନବନେ

ଶୁଣିଛ କି ବନ୍ଧୁ, ଜଳ−ଗର୍ଜ୍ଜନେ—

ଗଭୀରେ ଉପଳ−ଶଯ୍ୟା ଭିତରେ

ନିର୍ମଳ ମଧୁର ସଙ୍ଗୀତ ସ୍ୱରେ —?

ଶୁଣିଛ କି ମିତ୍ର ପ୍ରଭାତ କାଳେ

ବିହଙ୍ଗ ମଧୁର ସଙ୍ଗୀତ ତାଳେ—

ସୁରଭି ମୃଦିଳ ମଧୁପବନେ

ମର ମର ସ୍ୱନେ କୁଞ୍ଜକାନନେ ?

 

ଶୁଣିଛ କଲକ କିରଣ ପରେ

ମଧୁମକ୍ଷିକା ଯେ ଗୁଞ୍ଜନ କରେ ?

 

ସଙ୍ଗୀତେ ଭରାଏ ସାରା ସଂସାର

ବିହଙ୍ଗମ, ମଧୁମକ୍ଷିକା, ନୀର,

ବିଶ୍ୱର ମଧୁର ସଙ୍ଗୀତ ତାନ

ମଧୁମୟ କରି ଦେଉ ସେ ପ୍ରାଣ ।

ଧନ୍ୟ ବିଶ୍ୱପତି, ଧନ୍ୟ ତୋ ନାମ

ବିତରୁଛ ନିଶିଦିବସ ପ୍ରେମ ।

 

ବିଭୁପ୍ରେମ (୨)

 

ଚନ୍ଦ୍ରକା−ସାଗରେ ସନ୍ତରି ଚକୋର

ଗାଉଥାଏ ଯେଉଁ ଗୀତ

ଶାରଦ−ନିଶୀଥେ କବିଭକ୍ତଚିତ୍ତେ

କରୁଥାଏ ବିମୋହିତ ।

ନବୀନ ବସନ୍ତେ ରସାଳନିକୁଞ୍ଜେ

ଅନ୍ତରାଳେ ପିକବର

ବକୁଳ−ଆମୋଦ−ସଙ୍ଗତେ ବରଷେ

ଯେଉଁ “କୁହୁ”−ସୁଧା ସ୍ୱର,

ଚମ୍ପକ ଗୋଲାପ ହେନା ଶେଫାଳିକା

ମାଳତୀ କେତକୀ ବନୁଁ

ପ୍ରସରଇ ଯେଉଁ ସୁରଭି ସୁଷମା

ବିସୋର ନ ଯାଏ ମନ ।

ସୁନୀଳ ଗଗନେ ଚିତ୍ର ଅସ୍ତରାଗ−

ରଞ୍ଜିତ ବାରୁଣୀଦେହ

ବୋଳିଦିଏ ଯାହା ଚାହିଁଲାମାତ୍ରକେ

ଦର୍ଶକ−ନୟନେ ସ୍ନେହ ।

 

ନିଦାଘ କାଳର ଚନ୍ଦନ ଉଶୀର

ଅବା ଶୀତଳ ପବନ

ଧବଳ ଅମଳ ମଲୀଫୁଲମାଳ

ଶୀତଳାଏ ଅପଘନ ।

ଋତୁରାଜ ମଧୁ ଭଜି ପିକବଧୂ

ସଦା ସଙ୍ଗେ ସଙ୍ଗେ ଥାଏ,

କାଦମ୍ବିନୀ ଅଙ୍ଗ ସୌଦାମିନୀ ରଙ୍ଗ

ମିଶି ସଙ୍ଗେ ସଙ୍ଗେ ଯାଏ ।

ଶରତ ଋତୁରେ ନଦୀପଠା ପରେ

ଶବଳ ଅମଳ କାଶ

ପବନ−ତରଙ୍ଗେ ଖେଳି କିବା ରଙ୍ଗେ

ଯେ ଶୋଭା କରେ ପ୍ରକାଶ ।

ସ୍ୱଚ୍ଛୋଦ ସରସୀ−ନୀରେ କୋକନଦ

ଶତଦଳଦଳ ଶୋଭା

ବିତରି ସୁବାସ ସୁବର୍ଣ୍ଣ−ବିକାଶ

ଦିଶେ କେଡ଼େ ମନଲୋଭା !

ବିଚିତ୍ର ଗଗନେ ସୁନ୍ଦର ଭୁବନେ

ଯେତେ ଯେତେ ଏ ଲାବଣ୍ୟ

ତବ ପ୍ରେମ ବିନା ବୃଥା ସବୁ ସିନା

ସବୁ ଶୂନ୍ୟ—ମହାଶୂନ୍ୟ ।

 

ଶୁଭ ବିଧାନ

 

ବ୍ୟାକୁଳେ ବୋଇଲି ଦିନେ“ଅନ୍ତର୍ଯ୍ୟାମି ପ୍ରଭୁ !

ଚିର ରୁକ୍ଷ ମରୁଭୂମି ରୂପେ ଫଳହୀନ

ହେଲା ସିନା ଏହି ପ୍ରାଣ, ବ୍ୟର୍ଥ ହେଲା ସବୁ

ବାହୁଡ଼ିବି ଏ ମହୀରୁ ରିକ୍ତପ୍ରାଣ ଦୀନ ।

 

କର୍ମାଙ୍ଗନ ପରା ମହୀ ପରୀକ୍ଷାର ସ୍ଥାନ,

ଅନନ୍ତ ଜୀବନ−ଅଂଶ, ତପୋବନ ଘୋର

ମହତ−ମଙ୍ଗତ−ବିଧି−ଉଦ୍ଦେଶ୍ୟ ମହାନ

ସାଧନାର ପୀଠ, ଅବା ସାଗର ଦୁସ୍ତର;

ଏମନ୍ତ ମହତ ସ୍ଥଳେ ସୁମହତ ବ୍ରତେ

ପଠାଇଲ ପ୍ରଭୁ, ଯେବେ ଦେଇ ଗୁରୁ ଭାର,

ଭୁଲି ସେ ଉଦ୍ଦେଶ୍ୟ ଉଚ୍ଚ ବିସୋରି ସେ ମନ୍ତ୍ରେ

ଭ୍ରମିଲି ଭ୍ରମରେ ଆହା ବୃଥା ଏ ସଂସାର ।

କୁସୈନିକ କୁଶିଷ୍ୟ ମୁଁ କୁସାଧକ ଆହା

ଗଲା ମୋ ଜୀବନ ବିତି ବିଫଳ ଅସାର ।

ରକ୍ଷା କର ରକ୍ଷା କର ପ୍ରଭୁ ବିଶ୍ୱ−ନାହା

ତୁମ୍ଭ ପଥେ ଚାଳ ମୋତେ ପୋଡ଼ୁ ଏ ସଂସାର ।”

ନିଷ୍କପଟ−ଅନୁତାପ ପୂତ ଏ ଆରତି ।

ଧୋଇଦେଲା ଅଶ୍ରୁନୀରେ ସକଳ ସନ୍ତାପ,

ହୃଦୟ−କନ୍ଦରେ ମନ୍ଦ୍ର ଗଭୀର ଭାରତୀ

ଶୁଣନ୍ତେ ଖଣ୍ଡିଲା ମୋର ସର୍ବ ପାପତାପ—

 

“ରେ ନର, ନ ହୁଅ ଭୀତ ଅଛି ମୁଁ ସନ୍ତତ

ଏ ସଂସାର ନୁହେ ମମ ସୌରାଜ୍ୟ ଅତୀତ,

ହୋଇଥାଅ ଶକ୍ତିମତେ ସ୍ୱକର୍ତ୍ତବ୍ୟ−ରତ

ନିଷ୍କାମ ନିର୍ଲିପ୍ତ ଭାବେ, ଜୟ ତୋ ନିଶ୍ଚିତ ।

ପଡ଼ି ଉଠି ଯେତେ ଥର କରିଛୁ ତୁ ଯାହା

ମୋ ଦୃଷ୍ଟିର ଅନ୍ତରାଳେ କିଛି ଯାଇ ନାହିଁ,

ଚିତ୍ରଗୁପ୍ତ ପଞ୍ଜିକାରେ ଲେଖାଅଛି ତାହା

ବୃଥା ଅନୁଶୋଚନା ତୁ କରୁ କାହିଁପାଇଁ ?

ଏବେ ମଧ୍ୟ ଅଛି କାଳ, କର ଶୁଭ କର୍ମ,

ସତ୍ୟ ଶିବ ସୁନ୍ଦରର ହୁଅ ଅନୁଗାମୀ,

ଚିତ୍ତଶୁଦ୍ଧି କରି ଆଶ୍ରି ସତ୍ୟ ପୁଣ୍ୟ ଧର୍ମ

ଅନ୍ତରେ ନିରେଖି ଜାଣ ମୁହିଁ ଅନ୍ତର୍ଯ୍ୟାମୀ ।

 

ବାହାରକୁ ଚାହିଁ ଯେବେ ଭଣ୍ଡିବୁ ଲୋକଙ୍କୁ

ହେବ ସର୍ବ କାର୍ଯ୍ୟ ତୋର ଲୋକ−ଦେଖାଣିଆ

କାଳେ ଯିବ ଜୀବ, କିଛି ନ ଥିବ ପଥକୁ

ରଟିବ ସଂସାର−ଗଲା ଜଣେ ବାହାପିଆ ।

ସଂସାର ମୋହରି ରାଜ୍ୟ, ଶତ୍ରୁ ଶୁଭକାରୀ,

ଶୁଭ ବିଧି ମଣ ସଦା ବିପଦେ ମରଣେ ।”

ବୋଇଲି ବିନୀତ ପ୍ରାଣେ, “ହେ ଭବକାଣ୍ଡାରି !

ତୁମ୍ଭ ଇଚ୍ଛା ହେଉ ପୂର୍ଣ୍ଣ ଏ ମମ ଜୀବନେ ।”

 

ସୁଖ କାହିଁ ?

 

ଆନନ୍ଦରେ ନାହିଁ ସୁଖ ଉନ୍ମତ୍ତ ଚଞ୍ଚଳ ତାହା

ସୁସଂଯତ ବିଷାଦରେ ସୁଖ,

ସୁଖେ ସୁଖ ନାହିଁ ନାହିଁ କାମ ଭୋଗମୟ ତାହା

ସୁଖେ ଦୁଃଖସ୍ମୁତି ଦିଏ ସୁଖ ।

ମିଳନରେ ନାହିଁ ସୁଖ, ଦେଖୁ ଦେଖୁ ତୁଟେ ତାହା

ବିରହାନ୍ତେ ମିଳନ ମଧୁର,

ସୁଖେ ବୁଡ଼ି ରହିଥିଲେ କଳି ନୁହେଁ ସୁଖସୀମା

ଭୁଞ୍ଜେ ପ୍ରୀତି ବିରହ−ବିଧୁର ।

 

ସ୍ଥୂଳ ଓ ସୂକ୍ଷ୍ମ

 

ଉନ୍ମତ୍ତ ଯୋବନେ ଯୁବା ରୂପ ରୂପ ହୋଇ ମାତେ

ସୂକ୍ଷ୍ମ ଗୁଣ ତାକୁ ନ ଦିଶଇ,

ଦୁଇ ଦିନ ନ ଯାଉଣୁଁ ରୂପର ମୋହିନୀ−ବୀଣା

ତା ଶ୍ରବଣେ ଆଉ ନ ଶୁଭଇ !

ଅପଘନ−ଶୋଭାରାଶି ଭୋଗ−ସ୍ରୋତେ ଯାଏ ଭାସି

ମଧୁର ସେ ନ ଭାବଇ ଆଉ,

ଅଦୃଶ୍ୟ ଗୁମ ଗରିମା ପ୍ରଭାତର ତାରା ପରି

ପ୍ରାଣାକାଶେ ଦିଶେ ଦାଉ ଦାଉ ।

 

 

ପାପେ ତୀବ୍ର ସୁଖ−ଆଶା ନ ମେଣ୍ଟଇ କାହାରି ରେ

ଅଛି ଶ୍ରାନ୍ତି ନାହିଁ ତହିଁ ଶାନ୍ତି,

ନିବୃତ୍ତ ମଧ୍ୟରେ ସୁଖ ଅଦୃଷ୍ଟ ଅସ୍ପଷ୍ଟ ଥାଏ

ଶେଷେ ବିଭାସଇ ଦିବ୍ୟକାନ୍ତି ।

ପୁଣ୍ୟେ ସୁଖ ଅସମ୍ଭବ ମଣି ଭ୍ରାନ୍ତ ନରନାରୀ

ଯାନ୍ତି ପାପ−ମାଗ ଅନୁସରି,

ଶେଷେ ଆଶା ଚୂର୍ଣ୍ଣ କରି ବୁଡ଼େ ଶାନ୍ତି−ସୁଖ−ତରୀ

ନୁହେ ସୁଖୀ କେହି ପାପ କରି ।

 

କି ଅଦ୍ଭୁତ ସୃଷ୍ଟି ଲୀଳା ଏତିକି ଦୁର୍ବଳ ଯାହା

କେମନ୍ତେ ସେ ଶେଷେ କରେ ଜୟ,

ଅସ୍ପଷ୍ଟ ମଧ୍ୟରେ ସ୍ପଷ୍ଟ ଦେଖା ଦିଏ ନିତିପ୍ରତି

ଆହେ ପ୍ରଭୁ ଆହେ ଦୟାମୟ !

ଦେଖି ସେ ପୁଣ୍ୟ ମୂରତି ଆହେ କୁଳିଶ−କଠୋର

ମୁହିଁ ପୁଣ୍ୟ ମାର୍ଗ ଅନ୍ୱସରେଁ,

ମୋହନ ରୂପରେ ହୁଡ଼ି ଦୁରିତ−ପଙ୍କେ ନ ବୁଡ଼ି

ରଖ ପ୍ରଭୁ ଦୁର୍ବଳ ପାମରେ !

 

ଜୟ ଓ ପରାଜୟ

 

ଗରବଗଞ୍ଜନ ହେ ମହାପ୍ରଭୋ ଗରବଗଞ୍ଜନ ନାଥ !

ହୋଇଛି ମୁଁ କୋଟି ବାର ପରାଜିତ ଲୋଟିଛି ଧୂଳିରେ ମାଥ ।

କେତେ ଥର ହେଲା ପ୍ରତିଜ୍ଞା ଭଗନ କେତେ ଥର ଗଲି ପଡ଼ି,

କ୍ଷଣକେ ଉଡ଼ିଲା ସକଳ ଭରସା ପୁରାତନ ପାପେ ଜଡ଼ି ।

ତୋଳିଲି ମୁଁ କେତେ ଥର ଚାରୁଦୁର୍ଗ କେତେ ଆଶା ପ୍ରାଣେ ଧରି,

ଆସି ଭାଙ୍ଗିଦେଲା ପାପ−ପ୍ରଭଞ୍ଜନ ସକଳ ଭରସା ହରି ।

ନିରାଶା−ବିଷାଦେ ଜଡ଼ ମ୍ରିୟମାଣ ହେଲି ଧୂଳି−ବିଲୁଣ୍ଠିତ,

ପୁଣ୍ୟାଶ୍ରୟ ଛାଡି ହୀନ ଅରକ୍ଷିତ ହେଲି ପାପ−କଳଙ୍କିତ ।

 

ଆହେ କୃପାମୟ ପତିତପାବନ, ପ୍ରେମମୟ ତୁମ୍ଭେ ହରି

ସଙ୍ଗେ ସଙ୍ଗେ ଥାଇ ବିପଦେ ପକାଇ ଶିକ୍ଷା ଦେଲ ହେ ଶ୍ରୀହରି ।

ଶେଷେ ପରାଜିତ ପାପନକଳଙ୍କିତ ହେଲାରୁ ହେ ଦୀନସାହା,

ସଂସାର−ମରୁରେ ବିଜନପଥରେ ଦେଖାଇଲ ନାଥ, ରାହା ।

ଜାଣଇଁ ହାରିଲି ରଖିଅଛ ତୁମ୍ଭେ ଆହେ ପ୍ରଭୁ ଭଗବାନ !

ପାପ−କବଳରୁ ତ୍ରାଣ ପାଇ ତେଣୁ ଗାଏଁ ତବ ଜୟଗାନ ।

 

ଧର୍ମର ଜୟ

 

ଏ ଜଗତ ପାପପୂର୍ଣ୍ଣ କାହିଁ ଏଥି ପୁଣ୍ୟ ଶାନ୍ତି

କୁଟିଳ ଲମ୍ପଟେ ପୂର୍ଣ୍ଣ ଧରା,

‘ସ୍ୱାର୍ଥ’ ‘ସ୍ୱାର୍ଥ’ ହୁରି ଛାଡ଼ି ଧାଆନ୍ତି ରେ ନରନାରୀ

ରାକ୍ଷସ−ରାକ୍ଷସୀ−ମୂର୍ତ୍ତି ପରା !

‘ଉଦର’ ‘ଉଦର’ ହୋଳ ଅତୃପ୍ତ କାମନା−ମୁଢ଼

ଛିନ୍ନ କରେ ଭ୍ରାତୃ−କଣ୍ଠ ଭାଇ,

ବିଳାସ−ସ୍ରୋତରେ ଭାସି ମୁମୂର୍ଷୁ ସୋଦର ମୁଖୁଁ

ଝିଙ୍କି ନିଏ ଅନ୍ନ ହାଇ ହାଇ !

 

ତଥାପି ଏହାରି ମଧ୍ୟେ ଆହେ ପ୍ରଭୁ ପୁଣ୍ୟମୟ

କେଉଁ ସ୍ଥାନେ ଲୁଚିଅଛ ରହି

କି ପ୍ରବଳ ପୁଣ୍ୟ−ସ୍ରୋତେ ମାନବର ପାପମଳ

ମୁହୂର୍ତ୍ତକେ ଯାଏ କାହିଁ ବହି !

ଦୃଶ୍ୟମାନ ସ୍ଥୂଳ ଯାହା ଜୟୀ ହେଉ ନାହିଁ ତାହା

ହେଲେହେ ତା ଗିରି ପରିମାଣ

କଣିକାଏ ପୂର୍ଣ୍ଣ ବହ୍ନି ଜାଳିଦିଏ ପାପସ୍ତୂପ

ଧନ୍ୟ ଧନ୍ୟ ପବିତ୍ର ମହାନ !

 

‘ଯତୋ ଧର୍ମସ୍ତତୋ ଜୟଃ’

 

ଭରତିଆ ଚଡ଼େଇକୁ ଘୋଡ଼ାଇଲ ଘଣ୍ଟ,

ନିସ୍ତାରିଲ ଗଜ ପ୍ରଭୁ କାଟି ଗ୍ରାହା−ଥଣ୍ଟ ।

ଗର୍ଭିଣୀ ହରିଣୀ ତାରି ମାରିଲ ଶବରେ

ଭକ୍ତକୁ ତାରିଲ ପ୍ରଭୁ ଯୁଗ ଯୁଗାନ୍ତରେ ।

ଏକାଦଶ ଅକ୍ଷୌହିଣୀ−ନାହା ଦୁର୍ଯ୍ୟୋଧନ

ସାହା ଯାର ଭୀଷ୍ମ ଦ୍ରୋଣ ଅଶ୍ୱତ୍‌ଥାମା କର୍ଣ୍ଣ ।

ରଣରେ ହାରିଲେ ଶେଷେ ଜିଣିଲେ ପାଣ୍ଡବେ

ଧର୍ମ ଯହିଁ ଜୟ ତହିଁ ବିଶ୍ୱ−ଧର୍ମାହବେ ।

ସୁବର୍ଣ୍ଣଲଙ୍କାର ରାଜା ପ୍ରତାପୀ ରାବଣ,

ପୁତ୍ର ଇନ୍ଦ୍ରଜିତ ଯାର ଭ୍ରାତା କୁମ୍ଭକର୍ଣ୍ଣ;

ଆସୁରୀ ମାୟାରେ ବଳୀ ଦୋର୍ଦ୍ଦଣ୍ଡ ପ୍ରତାପ

ବୀର୍ଯ୍ୟ ବିକ୍ରମରେ ଦେଲା ଦେବାସୁରେ ତାପ ।

 

ରାଜ୍ୟଭଷ୍ଟ ଜଟାକଉପୀନଧାରୀ ରାମ

ଶାଖାମୃଗସଖ ପର୍ଣ୍ଣକୁଟୀର ଯା ଧାମ ।

ଧର୍ମବଳେ ବଳୀ ତେଣୁ ଜିଣିଲେ ସମରେ

କୀତ୍ତ ରହିଅଛି ତାଙ୍କ ଯୁଗ ଯୁଗାନ୍ତରେ ।

ସୁରୁଚିର କଟୁ କୂଟେ ଧ୍ରୁବର ଯାତନା

ଶେଷେ କିନ୍ତୁ ପାଇଲା ସେ ମହା ଆଶ୍ୱାସନା

ହିରଣ୍ୟକୁ ମାରି ପ୍ରଭୁ, ରଖିଲ ପ୍ରହ୍ଲାଦେ

ଧର୍ମର ବିଜୟ ନିଶ୍ଚେ ଧର୍ମାଧର୍ମ ବାଦେ !

 

Unknown

ରାମ−ରାବଣ ଯୁଦ୍ଧ

 

ଲାଗିଅଛି ରାମ–            ରାବଣ ଯୁଦ୍ଧ ହେ

ଏହି ମନେ ନିରନ୍ତର,

ମାନବର ମତି            ଅଟେ ସୀତା ସତୀ

ଧର୍ମରୂପୀ ରାମଙ୍କର ।

ପାତକ−ରାବଣ            ଛଳେ କଉଶଳେ

ହରି ନେଇଯାଏ ସିନା

ମାତ୍ରକ ଏମତି            ଯଥା ସୀତା ସତୀ

ଧର୍ମେ ଝୁରୁଥାଏ କିନା ।

ସେତୁ−ବନ୍ଧ ବାନ୍ଧି            ଯେସନ ଶ୍ରୀରାମ

ଜାନତୀ ଉଦ୍ଧାର କଲେ,

ପୁଣ୍ୟ କର୍ମେ ସାଧୁ            ତେସନ ଯତନେ

ମତିକୁ ଉଦ୍ଧାର ଭଲେ ।

ଯେସନ ଜାନକୀ            ପବିତ୍ର ଦୀପିତ

ହେଲେ ଅଗ୍ନି ପରୀକ୍ଷାରେ,

ପାପୁଁ ଉଦ୍ଧୁରିଣ            ବିଶୁଦ୍ଧ ପବିତ୍ର

ଦିଶେ ଆତ୍ମା ସେ ପ୍ରକାରେ ।

ଯେସନେ ସୀତାଙ୍କୁ            ସଂଶୟ ରଖିଲେ

ଅଜ୍ଞାନରେ ପ୍ରଜାଜନ,

ସେହିପରି ଆତ୍ମା—            ନିର୍ମଳତା ଦେଖି

ନ ପାରନ୍ତି ମୂର୍ଖଜନ ।

ଯେସନେ ଋଷିଏ            ଜାଣିଲେ ଜାନକୀ

ମହାସତୀ ଅକଳଙ୍କ,

ତେସନେ ଜ୍ଞାନୀଏ            ଆତ୍ମାକୁ ଜାଣନ୍ତି

ସଦା ଶୁଦ୍ଧ ନିଷ୍କଳଙ୍କ ।

ଏହିପରି ରାମ—            ରାବଣ−ସଂଗ୍ରାମ

ଲାଗିଅଛି ନିରନ୍ତର,

ଠିକେ ମୁଁ ଭଣିଲି            ଆଉ ଯେତେ କଥା

ବୁଝ ଜ୍ଞାନି ! ଏ ପ୍ରକାର ।

 

କୁରୁ−ପାଣ୍ଡବ ଯୁଦ୍ଧ

 

ଏହି ପ୍ରାଣେ ମମ            କୁରୁକ୍ଷେତ୍ର ଯୁଦ୍ଧ

ନିରନ୍ତର ଲାଗିଅଛି ହେ ଭାଇ !

ଅନୁକ୍ଷଣ ହାରି            ଯାଉଅଛି ଆହା

ଉଦ୍ଧାର ହେ କୃଷ୍ଣ, ରହିଛ କାହିଁ ?

ପାଞ୍ଚ ଭାଇ ଯେହ୍ନେ            ପାଞ୍ଚାଳୀଙ୍କ ଠାରେ

ପ୍ରେମ ରଖି ଚଲୁଥିଲେ ନିୟତ,

ମୋର ପାଞ୍ଚ ମନ            ଏକମନ ହୋଇ

ଭାଗ୍ୟଲକ୍ଷ୍ମୀ ଭୁଞ୍ଜୁଛନ୍ତି ସନ୍ତତ ।

ଶତ ଭ୍ରାତା ଭୀଷ୍ମ            ଦ୍ରୋଣ ସପ୍ତରଥୀ

ଏକାଦଶ ଅକ୍ଷୌହିଣୀ ସେନାନୀ

ତଥାପି ହାରନ୍ତି            ବିଜୟୀ ପାଣ୍ଡବେ

ଯେମନ୍ତ ଅଦ୍ଭୁତ ଏହି କାହାଣୀ ।

ପର୍ବତ ପ୍ରମାଣ            ବଳେ ବଳୀୟାନ

ଏ ପ୍ରାଣର କେତେ ପାପ ଫଉଜ

ହାରି ନ ଯାନ୍ତି କି ?            ଜିଣେ ଧର୍ମ ପୁଣ୍ୟ

ଲାଗିଅଛି ବିଶ୍ୱେ ଏହି ମଉଜ ।

ନୁହ ଭୀଷ୍ମ ଦ୍ରୋଣ            ନୁହ ଶଲ୍ୟ କର୍ଣ୍ଣ

ନୁହ ଅଶ୍ୱତ୍‌ଥମା ହସ୍ତିନାପତି

ହୁଅଯୁଧିଷ୍ଠିର            ହେଉନ୍ତୁ ଆଶ୍ରୟ

ଶ୍ରୀକୃଷ୍ଣ ହେଉନ୍ତୁ ତୁମ୍ଭ ସାରଥି ।

 

ଏକାନ୍ତ ନିର୍ଭର

—୧—

କୁରୁସଭା ତଳେ ପାଞ୍ଚାଳୀ ସତୀ,

ଡାକନ୍ତି ବିକଳେ—“ବୈକୁଣ୍ଠପତି ହେ,

ଦୁଃଶାସନ ହରେ ବାସ ଅଙ୍ଗର

ଏ ଲଜ୍ଜା ନିବାର କମଳାବର ହେ !

 

ମାଗି ଯାଚି ଆଣି ବାଟ ଭିକାରୀ,

ଲଜ୍ଜା ନିବାରଣ କରେ ତାହାରି ।

କିରାତ−କାମିନୀ ବୃକ୍ଷବଳ୍ କଳେ

ଲଜ୍ଜା ନିବାରନ୍ତି ହେଲେ ଜଙ୍ଗଲେ ।

ବାଳକ ବାଳିକା ଧୂଳି ଖେଳନ୍ତି

ସେମାନେ ସ୍ୱଦେହେ ବସ୍ତ୍ର ରଖନ୍ତି ।

ନିର୍ଜନ ନିଶାରେ ମାନବଗଣ,

ଶରୀରେ କରନ୍ତି ବସ୍ତ୍ର ଧାରଣ ।

ଏ ଯେ କୌରବଙ୍କ ବିରାଟ ମେଳ

ଅସଂଖ୍ୟ ଜନତା, ଦିବସ ବେଳ ହେ !

ମୁଁ ପାଞ୍ଚାଳଜେମା ପାଣ୍ଡବରାଣୀ

ଏ ଘୋର ବିପତ୍ତି କେ ଦେଲା ଆଣି ଯେ !

ଦେଖି ଶୁଣି ନାହିଁ ନେତ୍ର ଶ୍ରବଣ,

ରକ୍ଷା କର ମୋତେ ଜଗଜ୍ଜୀବନ ହେ !

ଦୁଃଶାସନ ଆଣ୍ଟେ ଭିଡ଼ଇ ବାସ

ଉପୃଜେ ମୋ ପ୍ରାଣେ ବିଷମ ତ୍ରାସ ହେ !”

 

—୨—

ବୈକୁଣ୍ଠେ କେଶବ କମଲା ସଙ୍ଗେ

ପଶା ଖେଳୁଛନ୍ତି ବିବିଧ ରଙ୍ଗେ ।

ଟଳ ଟଳ ଟଳ ବୈକୁଣ୍ଠପୁରୀ

କମ୍ପିଲା ସଘନେ ଶୁଭିଲା ହୁରି ।

କହନ୍ତି କମଳା, “ଶୁଣ କେଶବ,

ବିପଦେ ପଡ଼ିଲା ଭକତ ତବ ହେ !

ଖେଳ ଛାଡ଼ି ତାକୁ ଉଦ୍ଧାର ହରି,

କଳଙ୍କ ନ ରଟୁ ନାମେ ତୁମ୍ଭରି ହେ !”

କହନ୍ତି କେଶବ ମଧୁର ହାସେ

“ଦୁଃଶାସନ ହରେ ଦୌପଦୀ−ବାସେ ଗୋ !

 

କୁରୁସଭାତଳେ ପାଞ୍ଚାଳସୁତା

ଡାକୁଅଛି ମୋତେ ଭକତିଯୁତା ଗୋ !”

ଚମକି କହନ୍ତି ମାଧବପ୍ରିୟା—

“କେଡ଼େ ନିଦାରୁଣ ତୁମ୍ଭର ହିଆ ହେ !

ଚାଲ ଚାଲ ହରି, ସେ ସ୍ଥାନେ ଯିବା

ନାରୀ ଅପମାନ ଲଜ୍ଜା ହରିବା ହେ !”

ଗରୁଡ଼−ପୃଷ୍ଠରେ ଚଢ଼ି ଶ୍ରୀପତି

ଉଡ଼ିଲେ କଟାକ୍ଷେ ଦୌପଦୀ କତି ।

ଶୂନ୍ୟେ ରହି ହରି ଇନ୍ଦିରା ସଙ୍ଗେ

କୁରୁସଭାରଙ୍ଗ ଦେଖିଲେ ରଙ୍ଗେ ।

ଦୁଃଶାସନ ଭିଡ଼େ ଦୌପଦୀ−ବାସ,

ଡାକନ୍ତି ଦୌପଦୀ, “ହେ ଶ୍ରୀନିବାସ !”

ଦୁଇ ହାତେ ଟାଣୁଛନ୍ତି ସ୍ୱବାସ

ଦୁଃଶାସନ ଟାଣେ, ହେଲେ ନିରାଶ ।

 

ଏକ କରେ ବସ୍ତ୍ର ଟାଣି ଧରନ୍ତି,

ଆନ କର ଟେକି ଡାକନ୍ତି ସତୀ—

“ଏ ଲଜ୍ଜା ନିବାର କମଳାବର;

ନୋହିଲେ ଏ ଦେହ ବିଭୂତି କର ହେ !”

କହନ୍ତି କମଳା ନ ସହି ଖେଦ—

“ସୁଦର୍ଶନ ଚକ୍ରେ ଦୁଃଶାକୁ ଛେଦ ହେ !”

ହସିଣ କହନ୍ତି, “ଶୁଣ କମଳା,

ଏକ ହସ୍ତେ ବାସ ଧରି ଅବଳା

ନିଜ ବଳେ କରିଅଛି ନିର୍ଭର

ବିକଳ ଜଣାଣ କଥା ମାତର ସେ ।

ନିଜକୁ ତ ନିଜେ କରେ ରକ୍ଷଣ

ମୋହର କହିଁରେ କି ପ୍ରୟୋଜନ ଗୋ ?”

 

ଶେଷେ ଦୁଃଶାସନ ବଳରେ ହାରି

ବେନି ନେତ୍ରୁଁ ଢାଳି ଲୋତକ ବାରି ସେ,

ବେନି କର ତୋଳି ଡାକନ୍ତି ସତୀ—

“ରଖ ମୋତେ ରଖ ଗୋଲକପତି ହେ ।

ଅବଳାର ଲଜ୍ଜା ଶ୍ରେଷ୍ଠ ରତନ

ଏ ବିପଦେ ହରି କର ରକ୍ଷଣ ହେ !”

ନିଜଠାରେ ଦେଖି ପୂର୍ଣ୍ଣ ନିର୍ଭର

ଉପାୟେକ କଲେ କମଳାବର ସେ ।

ଯେତେ ବସ୍ତ୍ର ନିଏ ଓଟାରି ଦୁଃଶା

ବାହାରେ ଭିତରୁ ତେତିକି ଭୂଷା ଯେ ।

ଭିଡ଼ି ଭିଡ଼ି ଦୁଷ୍ଟ ପଡ଼ିଲା ଥକି

ଅଦ୍ଭୁତ ଭିଆଣେ ପଡ଼େ ଚମକି ସେ ।

ଯାହାର ସହାୟ ଶ୍ରୀ ଭଗବାନ

କି କରି ପାରଇ ଶକତିମାନ ସେ ।

 

ଭକ୍ତ ଓ ଭଗବାନ

 

ବୈକୁଣ୍ଠରେ ବିଷ୍ଣୁ କରନ୍ତି ମଣୋହି

ଲକ୍ଷ୍ମୀ କରୁଛନ୍ତି ପରିବେଷଣ,

ହାସ ପରିହାସ ଲାଗିଛି ବେନିଙ୍କ

କମଳା ତୋଷନ୍ତି ପତିଙ୍କ ମନ ।

ତେଜିଣ ଭୋଜନ ଧରି ସୁଦର୍ଶନ

ଦଉଡ଼ିଲେ ବିଷ୍ଣୁ ହୋଇ ଉଚ୍ଛନ୍ନ,

କିଛିକ୍ଷଣ ପରେ ଫେରିଆସି ଘରେ

ସୁଦର୍ଶନ ରଖି କଲେ ଭୋଜନ ।

ହସି ହସି ଲକ୍ଷ୍ମୀ ପୁଚ୍ଛିଲେ ମାଧବେ,

“ଅନ୍ନ ଛାଡ଼ି କିପାଁ ଗଲ ଦଉଡ଼ି ?”

କହନ୍ତି କେଶବ, ଭକ୍ତ ଜଣେ ତବ

ମାଡ଼ ଖାଇ ମୋତେ ଛାଡ଼ିଲା ହୁରି—

 

‘ହୁଅ ମୋର ସାହା ଆହେ ଚଉବାହା,

ବିପଦରେ ମୁହିଁ ଯାଉଛି ବୁଡ଼ି ।’

ନ ସହି ତା ଦୁଃଖ ଭୋଜନର ସୁଖ

ତେଜି ଚକ୍ର ଘେନି ଗଲି ଦଉଡ଼ି ।

 

ମୋର ନାମ ଛାଡ଼ି ନିଜେ ଧରି ବାଡ଼ି

ଭକ୍ତବର ଶତ୍ରୁ କରଇ ଜୂର,

ଅଧ ବାଟୁଁ ଦେଖି ଭକତେ ଉପେକ୍ଷି

ବାହୁଡ଼ି ଆସିଲି ବୈକୁଣ୍ଠପୁର ।

ନିଜ ଶତ୍ରୁ ଯେବେ ଦଣ୍ଡିଲା ଭକତ

ମୋର ଆଉ କିସ କାର୍ଯ୍ୟ ସେଠାର,

ମୋ ଉପରେ କଲେ ଷୋଳଣା ନିର୍ଭର

ମୁହିଁ ସିନା କାର୍ଯ୍ୟ ତୁଲାନ୍ତି ତାର !”

 

ଇନ୍ଦିରା କହନ୍ତି, “ହେ ବୈକୁଣ୍ଠପତି,

ସଦା ତୁମ୍ଭେ ଭକ୍ତ ବୋଲରେ ଥାଅ

ତିଳେ ମଳିନତା ଦେଖିଲେ କରତା

ଘୋର ନିରାଶାରେ ଭକ୍ତେ ପକାଅ ।

ବଡ଼ ଈର୍ଷା ତବ ଆହେ ଭକ୍ତଧବ,

ଷୋଳଣା ଭକତି ଚାହଁ ଭକ୍ତର

ତିଳେ ହେଲେ ଊଣା ନ ଦିଅ କରୁଣା

ଖଣ୍ଡାଦାଢ଼େ−ଚଢ଼ା ନୀତି ତୁମ୍ଭର !

 

ଏକଲବ୍ୟ

—୧—

ହସ୍ତନା ନଗରୀରାଣୀ କୁରୁ ରାଜଧାନୀ,

ଧରାର ଅମରାବତୀ ପୁରୀ−ପାଟରାଣୀ ।

ଭୀଷ୍ମ ବାହୁ−ଚ୍ଛାୟାତଳେ ଚିର ଋଦ୍ଧମନ୍ତ

ନିର୍ଭାକ ନିଶ୍ଚିନ୍ତ ତୃପ୍ତ ପ୍ରଦୀପ୍ତ ଶ୍ରୀମନ୍ତ ।

 

ପୁର−ଉପକଣ୍ଠ ସ୍ଥାନ ନିରୋଳ ନିର୍ଜ୍ଜନ,

କ୍ଷାତ୍ରଚର୍ଯ୍ୟେ ରତ ଏଥି ରାଜପୁତ୍ରଗଣ ।

ଆଚାର୍ଯ୍ୟ−ତିଳକ ଦ୍ରୋଣ ଗୁରୁ ମହୀୟାନ,

ନାନା ଅସ୍ତ୍ର ଶସ୍ତ୍ରେ ଶିକ୍ଷା କରନ୍ତି ପ୍ରଦାନ ।

ଦେଶେ ଦେଶେ ଖ୍ୟାତି ଯାର ଅଛି ପ୍ରଚାରିତ

ଏହି ସେହି ଶିକ୍ଷାଗାର ବୀରେନ୍ଦ୍ର−ବନ୍ଦିତ ।

କୌରବପାଣ୍ଡବ ବୀର ସତୀର୍ଥସେବିତ

ଯହିଁ କେତେ ଚିତ୍ରରାଜି ଅଛି ସୁସଜ୍ଜିତ—

ବୀରତ୍ୱ ଶୂରତ୍ୱ କେତେ ଅମର ବାରତା

ଦେବାସୁର ରାମରାବଣଙ୍କ ଯୁଦ୍ଧକଥା ।

 

—୨—

ସୌମ୍ୟଶାନ୍ତି ସ୍ୱିତହାସ୍ୟ ତରୁଣ ମୂରତି,

ଆଚାର୍ଯ୍ୟଙ୍କୁ ଆସି କଲା ସାଷ୍ଟାଙ୍ଗ ପ୍ରଣତି ।

ଯୋଡ଼ି ବେନି ପାଣି ଚାହିଁ ସତୃଷ୍ଣନୟନେ

ଯାଚିଲା ଶିକ୍ଷ୍ୟତ୍ୱ ଭିକ୍ଷା ଦ୍ରୋଣ ସନ୍ନିଧାନେ ।

 

ପୁଚ୍ଛିଲେ ଆଚାର୍ଯ୍ୟ“ସୌମ୍ୟ, କି ଗୋତ୍ର ତୁମ୍ଭର ?

ଏଥି ମାତ୍ର ଶିକ୍ଷା ଅଧିକାର କ୍ଷତ୍ରିୟର ।”

କହିଲା ସରଳ ଯୁବା, “ଭ୍ରମୁଁ ବନେ ବନେ

ଗୋତ୍ର କୁଳଗୋଷ୍ଠୀ ପଡ଼ି ନାହିଁ ଏ ଶ୍ରବଣେ ।

ପୁଛିଣ ମାତାଙ୍କୁ ଏଥି ଆସିବି ମୁଁ କାଲି,”

କହି ଦିବ୍ୟ ସ୍ୱପ୍ନସମ ଦ୍ରୁତ ଗଲା ଚାଲି ।

ନିବିଡ଼ ନିର୍ଜ୍ଜନ ଭୀମ ଅଟବୀ ମହାନ

ତରୁଚ୍ଛାୟା ତଳେ ପଶି ହେଲା ଅନ୍ତର୍ଦ୍ଧାନ ।

ପରଦିନ ପ୍ରଭାତରେ ପ୍ରଣମିଲା ଆସି

“ନିଷାଦଗୋତ୍ରକୁ ନିଜେ ନିର୍ଭୀକେ ପ୍ରକାଶି

ଦୁର୍ବିନୀତ କୁରୁ ଦୁର୍ଯ୍ୟୋଧନ ଦୁଃଶାସନ—

ଆଦି ହେୟଜ୍ଞାନ ତାକୁ କଲେ ପ୍ରଦର୍ଶନ ।

 

କହିଲେ ଆଚାର୍ଯ୍ୟ ଦ୍ରୋଣ, “ନିଷାଦକୁମର !

ଏଥି ଶିକ୍ଷା−ଅଧିକାର ମାତ୍ର କ୍ଷତ୍ରୟର ।”

ପଦାହତ ଲଜ୍ଜାବତୀ−ଶାଖା−ପତ୍ର−ସମ

ମଉନେ ଗଲା ସେ ଶୁଣି ସେ ବାକ୍ୟ ନିର୍ମମ ।

ମହାମନା ଧନଞୟ ଗୁଣଗ୍ରାହୀ ବୀର

ନିଷାଦ−ତନୟ−ଦୁଃଖେ ସୁବିକ୍ଷଣ୍ଣ ଧୀର ।

 

—୩—

ବହୁଦିନ ଅନ୍ତେ ଦିନେ ଅରଣ୍ୟ ଭ୍ରମଣେ

ରତଛନ୍ତି ଅନ୍ତେବାସୀ ଗୁରୁଙ୍କ ଗହଣେ ।

ଶନଶନ ବାଣସ୍ୱନ କମ୍ପାଇ ଗଗନ

ଚଉଦିଗେ ଘୋଟିଅଛି ଯେହ୍ନେ ଘୋର ଘନ ।

ଅତ୍ରାସ ହୃଦୟେ ତ୍ରାସ ପୋଷି କୁରୁବୀରେ

ଯାଇଣ ଭେଟିଲେ ଏକ ଯୁବକଙ୍କୁ ଧୀରେ ।

ଶରାସନୁ ଶର ଆସି ଓଗାଳିଲା ବାଟ

ଅନାୟତ୍ତେ ଠିଆ ହେଲେ ଆଚାର୍ଯ୍ୟ ଓ ଚାଟ ।

 

 

 

ଶର ଏକ ଆସି କଲା ଗୁରୁଙ୍କୁ ପ୍ରଣାମ

ପୁଛିଲେ ଆଚାର୍ଯ୍ୟ “କହ ତବ ଗୁରୁନାମ ।”

ଦେଖାଇଲା ଯୁବା ଦ୍ରୋଣ−ମୃଣ୍ନୟ−ମୂରତି

କହିଲା,“ନିଷାଦ−ପୁତ୍ର ଗଲି ତବ କତି ।

ନିଷାଦର କ୍ଷାତ୍ରଚର୍ଯ୍ୟେ ନାହିଁ ଅଧିକାର

ବୋଲି ପ୍ରତ୍ୟାଖ୍ୟାନ କଲ ମୋହର ଶିକ୍ଷାର ।

ମୂର୍ତ୍ତି ତବ ସ୍ଥାପି କଲି ଅସ୍ତ୍ରଶସ୍ତ୍ର ଶିକ୍ଷା

ଏ ମୃଣ୍ମୟ ମୂର୍ତ୍ତି ଦେଲେ ମୋତେ ସର୍ବ ଦୀକ୍ଷା ।”

କହିଲେ ଆଚାର୍ଯ୍ୟ, ଗୁରୁ କଳ ମୋତେ ଯେବେ

ଗୁରର ଦକ୍ଷିଣା ବତ୍ସ ଦେବ କି ନା ତେବେ ।”

“ଆବଶ୍ୟ” ବୋଲିଣ ବୀର ହେଲେ ବଦ୍ଧାଞ୍ଜଳି

କହିଲେ ଆଚାର୍ଯ୍ୟ, “ଭଦ୍ର ଦିଅ ବୃଦ୍ଧାଙ୍ଗୁଳି ।”

 

ହାସ୍ୟମୁଖେ ବୃଦ୍ଧାଙ୍ଗୁଳି ବୀର କାଟିଦେଲା

ଆକାଶରୁ ଘନଘନ ପୁଷ୍ପବୃଷ୍ଟି ହେଲା ।

“ଧନ୍ୟ ଧନ୍ୟ ଏକଲବ୍ୟ” ହେଲା ଶୂନ୍ୟବାଣୀ,

ଯୁଗେ ଯୁଗେ ରହିଛି ତା ବୀରତ୍ୱକାହାଣୀ ।

 

ମୁନୀନ୍ଦ୍ର ମଙ୍ଗଳ

 

ବ୍ରହ୍ମର୍ଷି ମହର୍ଷି ମଧ୍ୟେ ଦେବର୍ଷି ନାରବ ଏକଦିନ

ପାରିଜାତ−ପ୍ରମୋଦିତ ଦେବସଭା ମଧ୍ୟେ ସମାସୀନ ।

ବୀଣାପାଣି ମୁଖ ଚାହିଁ ପଚାରନ୍ତି, “ଦେବୀ ସରସ୍ୱତୀ ।

ଆଜି ସୁର−ସଭା ମଧ୍ୟେ ଗୀତ ହେବ କା ପୁଣ୍ୟ କୀରତି ?

କିଏ ସେ ପୁରୁଷ ଧନ୍ୟ ଦୟା−କ୍ଷମା−ତ୍ୟାଗ−ଅବତାର,

କିଏ ସେ ପୁରୁଷୋତ୍ତମ ଦେବତା ଦୁର୍ଲ୍ଲଭ କୀର୍ତ୍ତ ଯାର,

ହିମାଦ୍ରି−ମହତ୍ତ୍ୱ ସିନ୍ଧୁ−ଗଭୀରତା ଠୁଳେ ମୂର୍ତ୍ତିମାନ,

ପ୍ରଦୀପ୍ତ ମାର୍ତ୍ତଣ୍ଡ ସଙ୍ଗେ ଚନ୍ଦ୍ରମାର ଅପୂର୍ବ ସଂସ୍ଥାନ ?

ରାଜକୁଳେ ଜନ୍ମି ଧରା−ଆଧିପତ୍ୟ ଦଳିଲା ଚରଣେ,

ତରୁଣୀ−କନକବକ୍ଷ କେ ଦେଖିଲା ବୈରାଗ୍ୟ ନୟନେ ?

 

ଧନଧାନ୍ୟେ ପରପୂର୍ଣ୍ଣ−ଗୃହାଶ୍ରମ କିଏ କଲେ ତ୍ୟାଗ,

ନବଜାତ ଶିଶୁମାୟା ତ୍ୟାଗ କଲେ କେଉଁ ମହାଭାଗ ?

ତେଜିଣ କନକଦୀପ−ଝଲସିତ−ପୁରୀ, ଗଜହୟ,

ଅନ୍ଧକାର ଅରଣ୍ୟାନୀ−ବନବୀର୍ଥ କେ କଲା ଆଶ୍ରୟ ?

ରତନପର୍ଯ୍ୟଙ୍କ−ସୁପ୍ତା ପୁତ୍ର ବତୀ ଲାବଣ୍ୟମୟୀକୁ

ବିସର୍ଜିଣ ଗଲା ଚାଲି ହେଲେ କିଏ ବଜ୍ର କରି ବୁକୁ ?

ନବନୀତି−ସୁକୁମାର ଅଙ୍ଗେ କିଏ ବଜ୍ର−ଦୃତ ବ୍ରତ

ନିର୍ମମ ନିଷ୍ଠ ରଭାବେ କଠୋର ତପସ୍ୟାକୃଚ୍ଛ୍ରେ ରତ ?

ନୃତ୍ୟଶ୍ରାନ୍ତା ସ୍ରସ୍ତବାସା ମୁକ୍ତକେଶୀ ତରୁଣୀ ରମଣୀ

ବିନିଦ୍ରତା ନଗ୍ନତନୁ ଦେଖି କେଉଁ ଯୁବାବୀରମଣି ?

 

*ମୁନୀନ୍ଦ୍ର—ବୁଦ୍ଧଦେବ । ମଙ୍ଗଳ—ସହାତ୍ମ୍ୟ ।

 

ନିର୍ବିକାର ଚିତ୍ତେ କଲେ କଠୋର ବୈରାଗ୍ୟ ଆଲିଙ୍ଗନ,

ସହସ୍ର ଫଣା−କାମନା−କାଳୀୟର ଅପୂର୍ବ ଦଳନ ?

କିଏ ଦେବ ମହାବୋଧିସତ୍ତ୍ୱମୂଳେ ମହାଧ୍ୟାନେ ରତ;

ନିର୍ବାତ ନିଷ୍କମ ସିନ୍ଧୁ ସମ କିଏ ପ୍ରଶାନ୍ତ ପବିତ୍ର ?

ପଶୁରକ୍ତ−ପରିପ୍ଳୁତା ମେଦିନୀର ବକ୍ଷେ ହୋଇ ଉଭା

“ଅହିଂସା ପରମୋ ଧର୍ମ” ମହାମନ୍ତ୍ର ଉଚ୍ଚାରନ୍ତେ ଯୁବା

ଦାବାଗ୍ନି ସଙ୍କାଶ ତେଜେ ବ୍ୟାପିଗଲା ମହାଧର୍ମ ଶିକ୍ଷା,

ଧନୀ ଦୀନ ଜ୍ଞାନୀ ହୀନ ଉଚ୍ଚ ନୀଚେ ହେଲା ମହାଦୀକ୍ଷା,

କରୁଣ ନୟନ ଯାର ଦେଖି ଦୂରୁଁ ପାପିତାପିବ୍ରଜ

କଠୋର କର୍ତ୍ତବ୍ୟ ଯୋଗଲଭ୍ୟ ମୁକ୍ତି ମଣିଲେ ସହଜ ।

ପବିତ୍ରତା−ପ୍ରଭା−ଦୀପ୍ତ ନିଷ୍ପାପ ମାର୍ତ୍ତଣ୍ଡ ସେ ନିର୍ମମ,

ଯା ପାବନୀ ନେତ୍ରବିଭା ଚାହିଁଣ ପତଙ୍ଗ ବହ୍ନସମ

କୋଟି କୋଟି ନରନାରୀ ପ୍ରାଣ ହେଲା ଆକୃଷ୍ଟ ଆକୁଳେ

କିଏ ସେ ବରଣ୍ୟେ ପୂଜା ଦେବ−ବନ୍ଦନୀୟ ନରକୁଳେ ?

ମୁକୁଟ−ମଣ୍ତିତ−ଶିର ମହାତପା ନୃପକୁଳେ ଧନ୍ୟ

ଚରଣ ନଖରେ ପାଇ, ଫିଙ୍ଗିଦେଲ ରତ୍ନସିଂହାସନ ।

 

କା ଉଦାର ଶିକ୍ଷାଗୁଣେ ପୁତ୍ରଶୋକେ ଉଦ୍ଭ୍ରାନ୍ତା ଜନନୀ

ପାସୋରିଣ ପୁତ୍ରଶୋକ ହେଲେ ହେଲେ ବୌଦ୍ଧସନ୍ନ୍ୟାସିନୀ;

ତୁଚ୍ଛ କରି ସିଂହାସନ ରତ୍ନମୌଳି ନରପତିଗଣେ

ଭିକ୍ଷାପାତ୍ର ନେଲେ ହସ୍ତେ ହସି ହସି, ନିର୍ବିକାର ମନେ ।

 

କାହା ହୃଦୁଁ ବିନିଷ୍କ୍ରାନ୍ତ ବ୍ରହ୍ମ−ଅଗ୍ନି ଦିଗଦିଗନ୍ତର

ପାତକଖାଣ୍ଡବ ଦହି ବ୍ୟାପିଗଲା ମେଦିନୀମଣ୍ଡଳ,

ଉତ୍ତୁଙ୍ଗ ହିମାଦ୍ରି ଟପି ତିବ୍‌ବତ ତାତାର ଚୀନେ ଯାଇଁ

ସୁଦୁର ଅସୀମ ଗୋବି ମରୁଭୂମି ଦେଲା କେ କମ୍ପାଇ,

ବ୍ରହ୍ମ ଶ୍ୟାମ ମାଳୟର ତଟଭୂମି ଅତିକ୍ରମ କରି

ସୁମାତ୍ରା ବୋର୍ଣ୍ଣିଓ−ଯବ−ବାଲିଦ୍ୱୀପେ ଥିଲା ଯା ସଞ୍ଚରି,

ହିମାଦ୍ରି−ତୁଷାର ଶୁଭ୍ର ପ୍ରାଙ୍ଗଣରେ ଦେବକନ୍ୟାଗଣ

କାହା ପଦ ସରୋଜରେ ପାରିଜାତ କଲେ ସମର୍ପଣ ?

 

ସିନ୍ଧବୀଚି ସନ୍ତରିଣ ନାଗବାଳା କଳକଳ ତାନ

କାହାର ନିର୍ମଳ ଯଶ ପ୍ରତିଧ୍ୱନି ସଙ୍ଗେ କଲା ଗାନ ?

ହେ ଭାରତ ! କହ କହ କିଏ କର୍ମ ଧର୍ମବୀର ଶୁଦ୍ଧ ।”

କହେ ବାଣୀ ଧନ୍ୟ ହେଲି ଉଚ୍ଚାରିଣ ‘ଶାକ୍ୟସିଂହ ବୁଦ୍ଧ’ ।

ଅଦ୍ୟାପି ଯା ପୁଣ୍ୟଧର୍ମ ପଞ୍ଚଶତ କୋଟି ଆଲିଙ୍ଗିତ,

ଯା ନାମ ଜଗତ ମଧ୍ୟେ ଦୟାବୀର ନାମେ ସୁବିଦିତ ।

ଉପଧର୍ମ−ପୌରୋହିତ୍ୟ−ଅତ୍ୟାଚାରେ ଚିରଜର୍ଜ୍ଜରିତ

ଭୂଭାରତେ ଜାତିନିର୍ବିଶେଷେ ଯାର ଧର୍ମ ପ୍ରଚାରିତ ।

ମନୁଷ୍ୟେ ମନୁଷ୍ୟ ରୂପେ ଯାର ମୈତ୍ରୀ କରେ ଆଲିଙ୍ଗନ,

ନମସ୍ତେ ନମସ୍ତେ ବନ୍ଦେ ଅମିତାଭ ତବ ଶ୍ରୀଚରଣ ।

ଅନନ୍ତ ଗଗନପଥେ ଦେବଋଷି ଧରି ଦିବ୍ୟବୀଣା,

କରନ୍ତି ଗାୟନ ନିତ୍ୟ ସୁଧାବର୍ଷିଗୀତ ମୃତ୍ୟୁଜିଣା ।

ନମୋ ନମଃ ଅମିତାଭ ହେ ଗୌତମ ଶାକ୍ୟସିଂହ ବୁଦ୍ଧ,

ତବ ନାମ ସ୍ମରି କାୟମନୋବାକ୍ୟ ହେଉ ମମ ଶୁଦ୍ଧ ।”

 

ଗୌତମ

—୧—

ଓଁ ବୁଦ୍ଧ−ସଂଘ−ଧର୍ମ ଓଁ କର୍ମ ନିର୍ମାଣ

କହିବି ନିର୍ବାଣ−ତତ୍ତ୍ୱ କର ଅବଧାନ

ପ୍ରଣମଇ ଅମିତାଭ−ପୂତ−ଶ୍ରୀଚରଣେ

ନିର୍ବାଣ ତତ୍ତ୍ୱ ଯେ କଲେ ପ୍ରଚାର ଭୁବନେ ।

ଶାକ୍ୟକୁଳ ସୁନନ୍ଦନ ଗୌତମ ପାବନ

ଯାଗଯଜ୍ଞ ଉପଧର୍ମ କଲେ ଯେ ଦମନ ।

ନବୀନ ଯୌବନେ ନବପ୍ରଣୟିନୀ ଜାୟା

ଲାବଣ୍ୟମୟୀଙ୍କ ଅଙ୍କେ ଶିଶୁପୁତ୍ରମାୟା;

ରାଜସିଂହାସନ ଭୋଗ ବିଳାସ−ବାସନା—

ସର୍ବ ତେଜି ହେଲେ ଯୋଗୀ କଉପୀନ ଘେନା ।

 

ପଥର ଭିଖାରୀରୂପେ ରାଜେନ୍ଦ୍ର ତନୟ,

ବାସନା−ବିନାଶୀ ରିପୁଜୟୀ ଜିତେନ୍ଦ୍ରୟ ।

ଦେଖାଇ ଜ୍ୱଳନ୍ତ ମହାଜୀବନ୍ତ ଦୃଷ୍ଟାନ୍ତ

ଜଗତରେ ପ୍ରଚାରିଲେ କି ଅମୃତ−ସତ୍ୟ ।

ପୌରୋହିତ୍ୟ ଅତ୍ୟାଚାରେ ଦଳିତ ମଥିତ

ହେଲା ଏହି ସନାତନ ଭୂମି ସୁପବିତ୍ର ।

ପଶୁରକ୍ତେ ଥିଲା ଏହି ମେଦିନୀ−ପ୍ଳାବିତ

“ଅହିଂସା ପରମୋ ଧର୍ମ” ହେଲା ବିଘୋଷିତ ।

ସେ ମହାଦୀକ୍ଷାରେ ମାତି ସମଗ୍ର ଭାରତ

ଦେଶ ବିଦେଶରେ ତାହା କଲା ସୁଜାଗ୍ରତ ।

ଗଙ୍ଗାଗୋଦାବରୀ ତଟ ମହିଷାମଣ୍ଡଳ,

କାଶ୍ମୀର ସୌରାଷ୍ଟ୍ର ମହାରାଷ୍ଟ୍ର ହିମାଚଳ—

ଦେଶୁଁ ଦେଶ ମହାସତ୍ୟ ହେଲା ସୁପ୍ରକଟ,

ଆର୍ଯ୍ୟବର୍ତ୍ତା ଦାକ୍ଷିଣାତ୍ୟ ମହୋଦଧି ତଟ;

ଜମ୍ବୁଦ୍ୱୀପୁଁ ଲଙ୍କା ବ୍ରହ୍ମ ପାରସ୍ୟ ଗାନ୍ଧାର,

ଚୀନ ଗ୍ରୀସ ଏପିରସ ସିରିୟା ମିଶର;

ତାତାର କାବୁଲ ସଙ୍ଗେ ତିବ୍ବତ ଯାପାନ—

ନାନାଦେଶେ ଉଡ଼ିଲା ସେ ସାମ୍ୟ−ଧ୍ୱଜାମାନ ।

 

ଦାବାଗ୍ନି−ସଂକାଶ ତାହା ଘୋଟିଲା ଭୁବନ

ସେ ତାପେ ଫାଟିଲା ଦୁରାଚାର ଦୁର୍ଗବନ ।

ସୁକୁମାରୀ ନାରୀଗଣ ମହୋତ୍ସାହେ ତଳି

ସାଂସାରିକ ସୁଖ ଆଶେ ଦେଇ ଜଳାଞ୍ଜଳି

ରାଜକନ୍ୟା ସଂଘମିତ୍ରା ହେଲେକ ଭିକ୍ଷୁଣୀ

ନିର୍ମମ କଠୋର ଭୀମ ସଂଯମର ଧର୍ମ

ଅନଳେ ପତଙ୍ଗବତ ପଡ଼ିଲେକ ଡ଼େଇଁ

ପ୍ରଚାରିତ ନବଧର୍ମ ମତାଇଲା ବିଶ୍ୱ

କୋଟି କୋଟି ନର କଲେ ସେ ଧର୍ମ ଗ୍ରହଣ

ଅର୍ଦ୍ଧାଂଶ ମାନବ ନବଧର୍ମ ସୁଦୀକ୍ଷିତ ।

 

—୨—

ପ୍ରବଳପ୍ରତାପ ମୌର୍ଯ୍ୟବଂଶ−ଅବତଂସ,

ଚନ୍ଦ୍ରଗୁପ୍ତ ପୌତ୍ର, ରାଜା ବିମ୍ବିସାର ପୁତ୍ର,

ନୃଶଂସ ଚଣ୍ଡାଳ “ଚଣ୍ଡାଶୋକ” ନାମେ ଖ୍ୟାତ

କୋଟି କୋଟି ବୌଦ୍ଧ ବଧି ଉନ୍ମତ୍ତ ଉଦ୍ଧତ୍ତ

ଶୁଣିଣ ଶ୍ରମଣ ମୁଖୁଁ ସଂଯମ କାହାଣୀ

ହକାରି ଗହଣେ ତାଙ୍କୁ କଲେ ସଦାଳାପ ।

ନବଧର୍ମେ ମଜ୍ଜିଗଲେ ହେଲେକ ଦୀକ୍ଷିତ

ନାନାତୀର୍ଥ ଭ୍ରମି କଲେ ମାନସ ପବିତ୍ର—

ଲିମ୍ବିନୀ−ଉଦ୍ୟାନେ ଯହିଁ ଶାକ୍ୟସିଂହ ଜାତ,

କପିଳବାସ୍ତୁ ନଗରୀ ଯହିଁ ସେ ଲାଳିତ,

ପୁଣ୍ୟତୋୟା ଅନୋମାତଟିନୀତଟ, ଯହିଁ

ଗୃହ ତେଜି ଭୃତ୍ୟେ ବସ୍ତ୍ର ଆଭରଣ ଦେଇ

ଖଡ଼ଗେ ମୁଣ୍ଡନ କଲେ ଭୂମିସ୍ପର୍ଶୀ କେଶ,

ବିମ୍ବିସାର ରାଜ୍ୟସ୍ଥିତ ରାଜଗୃହ ଦେଶ

 

ନାନା ମୁନି ଆଚରୁଣ ଥିଲେ ତପୋବିଧି

ଯାଙ୍କ ପୁଣ୍ୟ ସହବାସେ ଥିଲେ ତପୋନିଧି

ଶାକ୍ୟମୁନି ଷଡ଼ବର୍ଷ ହୋଇଥିଲେ ଯତି

ଉରୁବିଲ୍ୱପଲ୍ଲୀ ଯହିଁ ପ୍ରାଚୀନ ପଦ୍ଧତି

ଘୃଣାଭରେ ତେୃଜି ପଞ୍ଚ ବ୍ରାହ୍ମଣ ଗହଣେ

ଘୋର ତପ ଆଚରିଲେ ସିଦ୍ଧର୍ଥ ଆପଣେ,

ନୈରାଞ୍ଜନା ନଦୀତଟେ ପ୍ରାଗୁପ୍ତ ପ୍ରଣାଳୀ

ଭ୍ରାନ୍ତମଣି ଶୀର୍ଣ୍ଣତନୁ ଥିଲେକ ପଖଳି,

ସୁଜାତା ପ୍ରଦତ୍ତ ଅନ୍ନ ଭୁଞ୍ଜ ଜ୍ଞାନିବର

ଯେ ଅଶ୍ୱତ୍‌ଥପଦପ୍ରାନ୍ତେ ନିହିଲେ ଶରୀର,

ବୁଦ୍ଧି ଯୋଗ ସାଧନେ ସେ ଲଭିଲେ ନିର୍ବାଣ

ବୁଦ୍ଧଗୟା ମଧ୍ୟସ୍ଥିତ ସେ ଅଶ୍ୱତ୍‍ଥ ପୁଣ୍ୟ

 

କାଶୀ ଧାମେ ମୃଗଦାବ ନିବିଡ଼ ଅରଣ୍ୟ

କୁଶୀନଗରୀରେ ସମ୍ବରିଣ ଅପଘନ

ଲଭିଲେ ନିର୍ବାଣ ବୁଦ୍ଧ−ଏ ତୀର୍ଥସମାଜ

ଭକ୍ତିପୂତଚିତ୍ତେ ଭ୍ରମି ଅଶୋକ ନୃରାଜ

ସ୍ଥାପି ସ୍ତୂପଚୟ—ସଂଖ୍ୟା ଚୌରାଅଶି କୋଟି

ଷାଠିଏ ସହସ୍ର ପ୍ରଚାରକ ନିୟୋଗିଣ

ଦେଶେ ଦେଶେ ଉଡ଼ାଇଲେ ବୌଦ୍ଧ ବୈଜୟନ୍ତା

ଗୁହା ଗୁହା ଖୋଳାଇଲେ ବୌଦ୍ଧଲିପିଚୟ

ଅଦ୍ୟାପି ଯା କାଳ ପ୍ରତି ପକାଏ ଭ୍ରୂକୁଟି

* ବର୍ଣ୍ଣି ଦେବପ୍ରିୟ ପ୍ରିୟଦର୍ଶୀ ନ୍ୟାୟନିଷ୍ଠାପଣ ।

ସତ୍ୟ ନ୍ୟାୟ ଶିକ୍ଷା ଦୀକ୍ଷା ସମତା ତିତିକ୍ଷା

ପୁଣ୍ୟକୀର୍ତ୍ତ ନରମଣି କରିଲେ ପ୍ରଚାର;

ସଂସାରର ସୁଖ ତେଜି ସଂଘମିତ୍ରା ଧନୀ

ହୋଇଗଲେ ରାଜକନ୍ୟା ଯୌବନେ ଭିକ୍ଷୁଣୀ ।

 

ତିଷ୍ୟରକ୍ଷିତା ନାମରେ ପ୍ରିୟା ପାଟରାଣୀ

ଅଲୋକସାମାନ୍ୟରୂପା ବିଟପୀ ରାକ୍ଷସୀ

ରୂପଲାବଣ୍ୟରେ ମୋହି ମହାରାଜ ମନ

କନିଷ୍ଠା ହେଲେହେଁ ହେଲେ ରାଜପ୍ରିୟତମା ।

କୁନାଳଙ୍କ ଚାରୁ ବପୁ ସୁନ୍ଦର ଆନନ

ପଙ୍କଜପଲାଶନେତ୍ର ଦେଖି କାମବଶେ

ଜଘନ୍ୟ ପାତକେ ମଜ୍ଳ ସେ ପାପ ବାସନା

ଧର୍ମାତ୍ମା କୁନାଳପାଶେ କଲାକ ପ୍ରକାଶ ।

ସମ୍ମତ ନୁହନ୍ତେ ରାଜପୁତ୍ର, ପାପୀୟସୀ

ସମ୍ରାଟଙ୍କ କରାଙ୍କିତ ଛଦ୍ମ ଆଜ୍ଞାପତ୍ର

ବରଗି ସେ ରାଜପୁତ୍ରେ କରାଇଲା ଅନ୍ଧ ।

 

* ଦେବପ୍ରୟ ପ୍ରିୟଦର୍ଶୀ—ଅଶୋକ ।

 

—୩—

ନିବିଡ଼ ନିଶୀଥକାଳେ ଶୁଣି ବଂଶୀସ୍ୱନ

ହେଲେ ଜମ୍ବୁଦ୍ୱୀପ−ସ୍ୱାମୀ ଉଦାସୀନ ମନ ।

ପରିଚିତ ବଂଶୀସ୍ୱନ ପ୍ରିୟତମ ସୁତ

ନିସ୍ତବ୍‍ଧ ନିର୍ଜ୍ଜନ ରାତ୍ରେ ବଜାଏ କିପାଁଇ;

ହକାରି ପୁଚ୍ଛନ୍ତେ ହେଲା ଯେ କଥା ପ୍ରକାଶ

କେମନ୍ତେ ଲେଖନୀ ମୋର ବର୍ଣ୍ଣବୁ ସେ ଦୁଃଖ ?

ଉଦାର ସୁନ୍ଦର ସେହି ସୁନୀଳ ଲୋଚନ

କିପରି ନିଷ୍ପ୍ରଭ ଚିରରାକ୍ଷସୀଲୀଳାରେ !

 

ଅସଂପୂର୍ଣ୍ଣ

 

 

କୁଶା ଗୌତମୀ

 

ପୁତ୍ର−ଶୋକାତୁରା ତରୁଣୀ ଗୌତମୀ

ପୁତ୍ରଶବ ଧରି ବହୁତ ଦୂରୁଁ

ଏକାକିନୀ ଶ୍ରାନ୍ତ ପଥକ୍ଳାନ୍ତ ହୋଇ

ଆସିଅଛି ଦୂର ଶ୍ରାବସ୍ତୀ ପୁରୁଁ ।

ଏକମାତ୍ର ସୁତ ମୃତ ହେଲା, ତେଣୁ

ଘରଦ୍ୱାର କୁଳମାନ ବରଜି

ହେଲି ଉନ୍ମାଦିନୀ, ପରାଣର ନିଧି

ଦରିଦ୍ର ରତନ ଗଲା ମୋ ହଜି ।

କହ ହେ ସନ୍ନ୍ୟାସି ! ମୋ ପ୍ରାଣର ଧନ

କେମନ୍ତେ ପାଇବି ହଜିଲ୍ଲା ନିଧି ?

ଯେଉଁ ପାପେ ମୋତେ ଏ ଅସହ୍ୟ ଶୋକ

ବହ୍ନିରେ ନିହିଲେ ଦାରୁଣ ବିଧି ।

 

ଖଣ୍ଡ ଖଣ୍ଡ ହୋଇ ଶବଦେହୁଁ ମାଂସ

ଗଳି ଯାଇଅଛି ଏ ଦୀର୍ଘ ପଥ,

ନାହିଁ ଶ୍ୱାସବାୟୁ ହୃଦ୍‌ଯନ୍ତ୍ରର ଗତି,

ବହୁଦିନ ରହି ଗଲାଣି ରଥ ।

ତଥାପି ମୋହର ପରତେ ନ ହୁଏ

ମରିଅଛି ମୋର ପରାଣଧନ,

ପୀଡ଼ାର ଔଷଧ କିଏସେ ହେ ଦେଇ

ରଖ ମମ ପ୍ରିୟ ସୁତ ଜୀବନ !

କହଇ ସନ୍ନ୍ୟାସୀ “ଆଗେ ଉନ୍ମାଦିନି !

ଯାଅ ଜୈତ୍ରବନେ ବୁଦ୍ଧ ସକାଶେ,

ଯହିଁ ବଂଶବନେ ସ୍ୱଶିଷ୍ୟଗହଣେ

ଅଛନ୍ତି ସେ ଚାତୁର୍ମାସ୍ୟ−ଆବାସେ ।”

ଯାଇଣ ଯୁବତୀ ଶକ୍ୟମୁନି କତି

ଶ୍ରୀଚରଣେ ତାଙ୍କ ପଡ଼ିଲା ଗଡ଼ି

ନର କିବା ଛାର ପାଷାଣ ହେଲେହେଁ

ତରଳିବ ଶୁଣି ତରୁଣୀରଡ଼ି !

 

“ତବ ଯଶ ଶୁଣି ବହୁଦୂର ପଥଁ

କରିଅଛି ଏଥି ମୁଁ ଅଗମନ

ଦିଅ ପିତା, ସେହି ଔଷଧ ଯା ଖାଇ

ଉଠିଣ ବସିବ ମୋ ପ୍ରାଣଧନ !”

କହନ୍ତି ମୁନୀନ୍ଦ୍ର, “ଶାନ୍ତ ହୁଅ ମାତଃ

ଆଣ ଯା ସର୍ଷପ−ମୁଷ୍ଟି ମୋ ପାଶ

ସେ ଘରୁଁ, ଯେ ଘରେ କେବେ ନ ମରିଛି

ନରନାରୀ ଶିଶୁ ଦାସୀ ବା ଦାସ ।”

ଅତି ଆନନ୍ଦରେ ପୁତ୍ତ୍ର ଶବ ଧରି

ଦଉଡ଼ିଲା ନାରୀ ସର୍ଷପ ଆଶେ

ଯହିଁ ପୁଚ୍ଛେ ତହିଁ ଶୁଣେ ସେ ଦୁଃଖିନୀ

କେହି−ହେଲେ−ଗତ ଯମ ଆବାସେ ।

 

ମାୟାମୁଗ୍‍ଧ ମନେ କର୍ମସୂତ୍ର ଗୁଣେ

ପଡ଼ି ଜ୍ଞାନାଲୋକ ନାଶିଲା ଧ୍ୱାନ୍ତ,

ତେଜି ପୁତ୍ର ଶବ କହେ, “ଅମିତାଭ !

ଉଦ୍ଧାରିଲ ମୋତେ ହେ ସିଦ୍ଧ ଶାନ୍ତ !

ଦିଅ ଶ୍ରୀଚରଣ−ପ୍ରାନ୍ତେ ସ୍ଥାନ ମୋତେ,

ଶରଣ ମାଗଇ ଏ ଅଭାଗିନୀ;

ଆଶ୍ରା ଦିଅ ତବ ପୂତ−ଧର୍ମ−ସଂଘ—

ଛାୟାତଳେ ହୁଏ ମୁଁ ସନ୍ନ୍ୟାସିନୀ !”

ତା ପବିତ୍ରହୃଦୁଁ ପବିତ୍ର ନୟନୁଁ

ନେତ୍ର ବିଭା ତାର ନିରେଖି ବୁଦ୍ଧ

ଦୀକ୍ଷା ଦେଲେ ତାକୁ, ହେଲା ସେ ଭିକ୍ଷୁଣୀ

ସକଳ କଳୁଷ ହେଲା ତା ଶୁଦ୍ଧ ।

 

ଭାବୀ ରାଜା

(ଫିଙ୍ଗଳ ଓ ଅଶୋକ)

 

ନରପତି ବିମ୍ବିସାର ପିଙ୍ଗଳେ କରି ହକାର

କହନ୍ତି ହେ ବିଦ୍ୟାଗୁରୁ କହ ନିକର,

ଆମ୍ଭର କେଉଁ ନନ୍ଦନ ମଗଧର ସିଂହାସନ

ଆମ୍ଭ ଅନ୍ତେ ଅଭିଷିକ୍ତ ହେବ ମୁକର ।

କରି ଶୁଭଦିନ ସ୍ଥିର ସକଳ ରାଜକୁମାର

ଡକାଇଲେ ଗୁରୁ ଏକ ସଜ୍ଜିତ ସ୍ଥାନେ,

ଆରୋହି ବିବିଧଯାନେ ମାଣିକ୍ୟ−ଗଢ଼ା ବିମାନେ

ପ୍ରବେଶିଲେ ବିମ୍ବିସାର−ତନୟମାନେ ।

ଦେଖି ରତ୍ନ−ସିଂହାସନ କରିଣ ଉପବେଶନ

କଲେ ସେ ଭୋଜନ ନାନା ସୁଖାଦ୍ୟମାନ,

ପିତାଙ୍କର ବୃଦ୍ଧ କରି−ପୃଷ୍ଠେ ଆଗମନ କରି

ଭୂତଳେ ଅଶୋକ କଲେ ଗୋଦୁଗ୍‍ଧ ପାନ ।

 

କହିଲେ ଫିଙ୍ଗଳ, “ନୃପ ! ସେହି ଯୁବା ହେବେ ଭୂପ

ଯାହାଙ୍କର ଶ୍ରେଷ୍ଠ ପୀଠ, ଆହାର ଯାନ ।”

କହନ୍ତି ଅଶୋକ, “ମାତା ! ମୁହିଁ ହେବି ପୃଥ୍ୱୀପାତା

ମୋ ଆସନ ବସୁନ୍ଧରା କି ଗରୀୟାନ,

ପିତାଙ୍କର ପାଟହାତୀ ତା ସମ କେହି ନୁହନ୍ତି

ମୋ ପାନୀୟ ଦୁଗ୍‌ଧ ବିଶ୍ୱ−ପ୍ରାଣୀର ପ୍ରାଣ ।”

 

କୁନାଳ ଓ ତିଷ୍ୟରକ୍ଷିତା

 

ପରମ ସୁନ୍ଦର ଯୁବା ଧୀର ବୀରମଣି,

ଅପାର ସଦ୍‌ଗୁଣ−ରତ୍ନ−ଅସରନ୍ତା ଖଣି ।

ସଦା ସତ୍ୟବାଦୀ, ଦାତା ପ୍ରଜା−ପ୍ରାଣଧନ,

କୁନାଳ ଅଶୋକଙ୍କର କୁଳର ନନ୍ଦନ ।

ମୁଗ୍‍ଧ ସର୍ବେ ପୁରବାସୀ, ନିଖିଳ ମଗଧ

ଜଣେ ମାତ୍ର ଏ ଯଶରେ ହିଂସା−ବିଦଗଧ ।

କୁନାଳ−ବିମାତା ତିଷ୍ୟରକ୍ଷିତା ସୁନ୍ଦରୀ

ସପତ୍ନୀ−ଜିଙ୍ଘାସା−ବିଷ ପ୍ରାଣେ ଅଛି ଭରି ।

 

କୁନାଳ ସାଧୁତା ଯଶ ବିସ୍ତାରେ ଯେତିକି

ଈର୍ଷାନଳେ ପାପୀୟସୀ ଜଳଇ ସେତିକି ।

କେସନ ବିନଷ୍ଟ ହେବ କୁନାଳ ଜୀବନ

ନିଶିଦିବା ରାଣୀ ଯତ୍ନ କରେ ପ୍ରାଣପଣ ।

କୁନାଳକୁ ଅନ୍ଧ କଲା ପିଶାଚୀ କୌଶଳେ,

ଫଳେ ମୃତଞ୍ଜୟ ହେଲେ ସାଧୁ ଭୂମଣ୍ଡଳେ ।

ଭକତର ବଜ୍ରସେହ୍ନା ପ୍ରଭୁ ଭଗବାନ

କି କରିପାରିଲା କେବେ ତାର ବଳବାନ !

 

ନୀଳାଦ୍ରି−କନ୍ଦର

—୧—

ବିରାଟ−ନୀଳାବ୍‍ଧି−ତଟ−ପ୍ରାନ୍ତେ

ଉଭା ଉଚ୍ଚ ନୀଳାଦ୍ରି−କନ୍ଦର,

ବିଶାଳ−ବାରିଧି−ତୀର−ଦେଶେ

ତୀର୍ଥରାଜ ଅପୂର୍ବ ସୁନ୍ଦର ।

ଚୌଦିଗେ ବିସ୍ତାରି ଦିବ୍ୟବପୁ

ବିରାଜଇ ସୈକତ ପ୍ରାନ୍ତର,

ଗମ୍ଭୀର−ନିର୍ଘୋଷୀ ମହାସିନ୍ଧୁ

ବ୍ୟାପି ଅଛି ଦିଗ ଦିଗନ୍ତର ।

ପ୍ରଶାନ୍ତ ପାବନ ସୁଗମ୍ଭୀର

ଅସୀମ ଅନନ୍ତ ଜଳରାଶି,

ଫେନୋଦ୍‍ଗାରୀ ଯା କଲ୍ଲୋଳଜାଳ

କ୍ଷଣେ ଅବା ଯିବ ବିଶ୍ୱ ଗ୍ରାସି ।

 

ଯାହା ତୀରେ ମହା ଗର୍ବୀ ନର−

ଶିର ହୁଏ ସ୍ୱତଃ ଅବନତ,

ଭୂମାବିଶ୍ୱପତିଙ୍କର ସ୍ମୃତି

ଉଦ୍‌ବୋଧିତ କରେ ଯା ସନ୍ତତ ।

ଫେନିଳ−କରାଳ−ଚଳ−ଲୋଳ−

ଢଳ−ଢଳ−ଜଳ ନୀଳସିନ୍ଧୁ

ଜଣାଏ ଯେ ମାନବେ ଲବେ ଯେହୁ

“ବିଶ୍ୱେ ତୁରେ କି ନଗଣ୍ୟ ବିନ୍ଦୁ !”

ଏହିଠାବେ ସ୍ଥଳ ଶେଷ ସୀମା !

ଅବର୍ଧ ଏ ଭୂମା ବାରିଧିର,

ମେରୁଯାଏ ବିରାଟ−ବିସ୍ତାର

ନୀର ତିନି ଅଂଶ ଅବନୀର ।

 

ଦେଶେ କାଳେ ସୁନ୍ଦର ପବିତ୍ର

ବିରାଟ ବିଚିତ୍ର ଭବେ ଯାହା,

ବିଶ୍ୱପତି−ପୂଜା−ଅନୁକୂଳ

ଯୁଗେ ଯୁଗେ ଦେଶେ ଦେଶେ ତାହା ।

ମହାସିନ୍ଧୁ−ସୁପବିତ୍ର−କୂଳ

ବିଶ୍ୱପାତା−ପୂଜା−ଅନୁକୂଳ

କେଉଁ ଯୁଗେ, କେଉଁ ଶୁଭକ୍ଷଣେ

ଭକ୍ତପ୍ରାଣ କଲାକ ଆକୁଳ ।

ସୁବିଶାଳ−ସିକତା−ପ୍ରାନ୍ତରେ

ବିସ୍ତୀର୍ଣ୍ଣ ଏ ମହାସିନ୍ଧୁ−ତଟେ

ତୋଳିଲା କେ ଉତ୍ତୁଙ୍ଗ ମନ୍ଦିର,

ନୀଳାଚଳେ ମହାବ୍ୟୋମପଟେ ।

ଧନ୍ୟ ଧନ୍ୟ ହେ ଭକ୍ତପ୍ରବର !

ସତ୍ୟ−ଶିବ−ସୁନ୍ଦର−ସ୍ୱପନ

ନିରେଖିଲା କି ଶୁଭନିଦ୍ରାରେ

ଭକ୍ତିପୂତ ତବ ଉଚ୍ଚ ମନ ।

 

—୨—

ବିଶାଳ ଏ ନୀଳବ୍‌ଧି−ପୁଳିନେ

ପବିତ୍ର ସିକତାମୟ ସ୍ଥାନ,

ସୁନ୍ଦର ଏ ନୀଳାଦ୍ରିକନ୍ଦରେ

ଉତ୍ତୁଙ୍ଗ ମନ୍ଦିର ମହୀୟାନ ।

କି ଶୁଭମୁହୂର୍ତ୍ତେ ଭକ୍ତପ୍ରାଣେ

ଏ ଦିବ୍ୟ ସଂକଳ୍ପ ଅବତୀର୍ଣ୍ଣ

ହିମାଦ୍ରିରୁ କୁମାରିକା ଯାଏ

ହେଲା କାଳେ ଯା ପ୍ରଭା ବିକୀର୍ଣ୍ଣ ।

କେତେ ଯୁଗ−ଯୁଗାନ୍ତରାବଧି,

କେତେ ଦେଶଦେଶାନ୍ତରବାସୀ

ଭକ୍ତଗଣ ଆକୁଳ−ଅନ୍ତରେ

ଧନ୍ୟ ହେଲେ ଏ ସୁତୀର୍ଥେ ଆସି ।

 

ନିସର୍ଗ−ସୁନ୍ଦର ଏ ଶ୍ରୀକ୍ଷେତ୍ରେ

ଶ୍ରୀମନ୍ଦିର ସୁନ୍ଦର ପବିତ୍ର,

ହିନ୍ଦୁ−ବୌଦ୍ଧ−ଶୈବ−ଶାକ୍ତ−ମତ—

ସମନ୍ୱୟ−କ୍ଷେତ୍ର ଏ ବିଚିତ୍ର ।

ସତ୍ୟ−ଶିବ−ସୁନ୍ଦରଙ୍କ ପୂଜା

ସଚ୍ଚିଦାନନ୍ଦଙ୍କ ମହାଧ୍ୟାନ,

ନୀଳାଚଳେ ଲୀଳାମୟ ହରି

ହେରି ମୁଗଧ ସଦା ଭକ୍ତପ୍ରାଣ ।

ଶ୍ରୀଚୈତନ୍ୟ ପ୍ରେମମୟ−ପ୍ରାଣ

ଭକ୍ତଗଣଗହଣେ ଶ୍ରୀକ୍ଷେତ୍ରେ

ସଂକୀର୍ତ୍ତନେ ମାତି ଗୌରଚନ୍ଦ୍ର

ପ୍ରାଣ ହରି ହେରିଲେ ସ୍ୱନେତ୍ରେ ।

ମହୋଦଧି ମହା−କଲ୍ଲୋଳରେ

ପାଇଣ ସେ ପ୍ରାଣର ଦୋସର

ବିଶ୍ୱମୟ ହେରି ବିଶ୍ୱେଶ୍ୱରେ

ମିଶଗଲେ ତାଙ୍କ ସଙ୍ଗତର ।

 

ଜଗନ୍ମୟ ଦେଖି ଜଗନ୍ନାଥ

ପରମରେ ସ୍ଥିତି ଏ ଜୀବର,

ଏ ବିଶ୍ୱ ସଂସାରେ ଓତପ୍ରୋତ

ଭାବେ ଯେଣୁ ଛନ୍ତି ବିଶ୍ୱେଶ୍ୱର ।

ଏହିପରି ଏହି ପୁଣ୍ୟତୀର୍ଥେ

କେତେ କେତେ ସାଧୁ ମହାଜନ

ପୂତ କରି ପୂତ ହୋଇ ନିଜେ

ନୀଳାଚଳେ କଲେ ବିଚରଣ ।

 

—୩—

ଜଗତରେ ବଡ଼ ‘ଜଗନ୍ନାଥ’

ପୂଜା ପାନ୍ତି ଏ ବଡ଼ ଦେଉଳେ,

‘ରତ୍ନସିଂହାସନ’ ତାଙ୍କ ବଡ଼,

‘ବାଇଶିପାହାଚ’ ବଡ଼ ଠୂଳେ,

 

‘ମେଘନାଦ ପ୍ରାଚୀର’ ଯେ ବଡ଼

ବଡ଼ ତ ସହଜେ ‘ବଡ଼ଦାଣ୍ଡ’,

ସେବା ପୂଜା ଧୂପ ସବୁ ବଡ଼,

ସବୁ କଥା ପ୍ରଶସ୍ତ ପ୍ରକାଣ୍ଡ ।

‘ବଡ଼ପଣ୍ଡା’ ସେବା କରି ବଡ଼

ବଡ଼ ଅଟେ ନରେନ୍ଦ୍ର ଆକାର,

ମହୋଦଧି ନାମେ କାର୍ଯ୍ୟେ ବଡ଼

ଶ୍ମଶାନଟି ଏଥି ‘ସ୍ୱର୍ଗଦ୍ୱାର’ ।

ଏ ‘ମହାପ୍ରସାଦ’ ଅବିଚାରେ

ସେବନ କରନ୍ତି ଅକୁଣ୍ଠିତେ

ଜାତିକୁଳନିର୍ବିଶେଷେ ସର୍ବେ

ଏକ ପାତ୍ରେ ଭୁଞ୍ଜନ୍ତି ସମସ୍ତେ ।

ସକଳ ଆଦର୍ଶ ଏଥି ବଡ଼

ଏହାହିଁ ତ ଆଦଶ ଧର୍ମର ।

ସାନ୍ତ ନର କରେ ସଦା ପୂଜା

ମହାନ ସେ ଭୂମା ଅନନ୍ତର ।

 

ଧନ୍ୟ ଏହି ମହାନ ଆଦର୍ଶ,

ଧନ୍ୟ ଆହେ ଭକ୍ତ ନୃପବର !

ଧନ୍ୟ ଏହି ବିଶାଳକଳ୍ପନା,

ଧନ୍ୟ ମହା ସଂକଳ୍ପ ତୁମ୍ଭର !

ଧନ୍ୟ ମହା ଉତ୍କଳ ଶିଳ୍ପି ! ଧନ୍ୟ

ଧନ୍ୟ ତବ ଧୈର୍ଯ୍ୟ କଉଶଳ

ଧନ୍ୟ ଏହି ମନ୍ଦିର ଗଠନ,

ପୂଜାବିଧି, ଧନ୍ୟ ମା ଉତ୍କଳ !

 

—୪—

ହିମାଦ୍ରିର ଉପକଣ୍ଠ−ଦେଶେ

ଭାରତର ଉତ୍ତର ଅଞ୍ଚଳେ

ଅବତରି ଶାକ୍ୟସିଂହ ବୁଦ୍ଧ

ସାମ୍ୟମୈତ୍ରୀ−ଧର୍ମ ପ୍ରଚାରିଲେ ।

 

ନିଖିଳ ଭାରତେ ଯା ସଞ୍ଚରି

କରିଦେଲା ପୌରୋହିତ୍ୟ ଚୂର୍ଣ୍ଣ,

ଅହିଂସା−ଧର୍ମର ମହାଦୀକ୍ଷା—

ଜ୍ଞାନେ କଲା ଏ ଭୁବନ ପୂର୍ଣ୍ଣ ।

କିନ୍ତୁ ପୁଣି ବ୍ରାହ୍ମଣ୍ୟ−ପ୍ରତାପ

ଅତ୍ୟାଚାରେ ହେଲା ଜର୍ଜ୍ଜରିତ,

ହିମାଚଳୁଁ କନ୍ୟା−କୁମାରିକା—

ଯାଏ ହେଲା ଭାରତୁଁ ତାଡ଼ିତ ।

ଧନ୍ୟ ମୋ ଉତ୍କଳ ! ତୁହି ଧନ୍ୟ

ସାମ୍ୟର ସେ ପୁଣ୍ୟ ବୈଜୟନ୍ତୀ

ତବ ଅଙ୍କେ ତବ ଦୀନ ସୁତେ

ଆଜି ଯାଏ ସ୍ତୋକେ ଧରିଛନ୍ତି ।

କୋଶଳ, ମଗଧ, ଅଙ୍ଗ, ବଙ୍ଗ

ଦ୍ରାବିଡ଼ ଓ କର୍ଣ୍ଣାଟ ଏମାନ

ମହାରାଷ୍ଟ୍ର, ଗୁର୍ଜ୍ଜର, ପଞ୍ଜାବ

ରାଜସ୍ଥାନ ସେ ଧର୍ମ−ସମ୍ମାନ

ବିସୋରିଛି, ମାତ୍ର ମା ଉତ୍କଳ !

ରଖିଛୁ ତା ପୁଣ୍ୟ ନ୍ୟାସ ସମ,

ଧନ୍ୟ ମା ଉତ୍କଳ ! ଶତ ଧନ୍ୟ

ସନ୍ତର୍ପଣେ ସଞ୍ଚିଲୁ ସେ ଧର୍ମ ।

 

—୫—

ମାନବମାନସେ ତିନି ଶକ୍ତି

ଇଚ୍ଛା−ବୁଦ୍ଧି−ଭାବ ସମ୍ମିଳିତ,

ଏ ଶକ୍ତି−ତ୍ରିତୟ−ବହିଃସ୍ଫୁର୍ତ୍ତି

କର୍ମ−ଜ୍ଞାନ−ପ୍ରେମେ ପ୍ରକାଶିତ ।

ଏ ତିନି କ୍ରିୟାର ମହାଲକ୍ଷ୍ୟ

ସତ୍−ଚିତ୍−ଆନନ୍ଦ ତ୍ରିତୟ

ଜୀବେ ସାନ୍ତ ପରମେ ଅନନ୍ତ

ସତ୍ୟ−ଶିବ−ସୁନ୍ଦର ଅକ୍ଷୟ ।

 

ତ୍ରିଗୁଣ, ତ୍ରିଚକ୍ର, ତିନିଶକ୍ତି

ତ୍ରିଯୋଗର ମହା ସମାବେଶ,

ଶ୍ରୀକ୍ଷେତ୍ରେ ଅନନ୍ତ ମତଭେଦ

ଅଶେଷ ଦ୍ୱନ୍ଦ୍ୱର ଅବଶେଷ ।

ବୌଦ୍ଧ−କର୍ମ, ଦର୍ଶନର ଜ୍ଞାନ,

ପୁରାଣର ଭକ୍ତିଲୀଳା ଠୁଳେ ।

ସର୍ବେ ହୋଇ ମେଳ ଏ ଶ୍ରୀକ୍ଷେତ୍ରେ

କି ସୁନ୍ଦର ନୀଳ ସିନ୍ଧୁକୂଳେ ।

ତିନି ଲୀଳା ସୃଷ୍ଟି−ସ୍ଥିତି−ଲୟ,

ତିନି ଗୁଣ ସତ୍ତ୍ୱ−ରଜ ତମ,

ବୁଦ୍ଧ−ଧର୍ମ−ସଙ୍ଘ ତିନି ଚକ୍ରେ

ପୂଜା ପାନ୍ତି ଜୀବ ଓ ପରମ ।

ସାଧନା ଯାହାର ଯେଉଁପରି,

ସିଦ୍ଧି ହୁଏ ତାହାର ତେମନ୍ତ,

ସଗୁଣ ନିର୍ଗୁଣ ଏକ ବ୍ରହ୍ମ

ବିଶ୍ୱମୟ ବ୍ୟାପ୍ତ ସେ ଅନନ୍ତ ।

 

ଭିତରେ ବାହାରେ ସେହି ଆତ୍ମା

ସାକାର ଓ ନିରାକାର ହରି,

ବିରାଜନ୍ତି ବିଶ୍ୱ−ରନ୍ଧ୍ରେ ରନ୍ଧ୍ରେ

ପୁଣି−ବିଶ୍ୱ ଅତିକ୍ରମ କରି ।

ଅନନ୍ତ ସେ ସର୍ବଶକ୍ତିମାନ

ସର୍ବବ୍ୟାପୀ ବ୍ରହ୍ମ ସର୍ବଦର୍ଶୀ,

ସର୍ବଘଟେ ବିହରନ୍ତି ପୁଣି

ପ୍ରାଣେ ପ୍ରାଣେ ପ୍ରୀତିଭରେ ସ୍ପର୍ଶି ।

ଅସୀମ ଅନନ୍ତ ଭୂମା ବିଶ୍ୱେ

ଚିନ୍ତାତୀତ ଯେଉଁ ଜଗନ୍ନୀଥ,

ମନ୍ଦିରେ ବା ହୃଦୟ−କନ୍ଦରେ

ପୂଜା ପାନ୍ତି ସେହି ପ୍ରାଣକାନ୍ତ ।

 

ବଳୀୟାରଭୁଜ, ଚକାଡ଼ୋଳା

ବିଜେ ରତ୍ନ−ସିଂହାସନୋପରି,

ସର୍ବଶକ୍ତିମାନ, ସର୍ବଦର୍ଶୀ,

ବିରାଜନ୍ତି ବିଶ୍ୱ ପୂର୍ଣ୍ଣ କରି ।

 

ନବବର୍ଷେ (୩)

 

ନବୀନ ବରଷେ ଆଜି ଦେଖ ଦେଖ ଭାଇ !

ନବୀନ ମୁକୁର ମୁଁ ଆଣିଛି ତୁମ୍ଭ ପାଇଁ ।

ତିମ୍ଭରି ଆନନ ଛବି ଦେଖ ନୁହେଁ ଅନ୍ୟ

ଧରି ଏ ମୁକୁର ନିଜେ ମଣିଅଛି ଧନ୍ୟ ।

ଦେଖ ଦେଖ ଭାଇ ଏଥି ନିଜ ମାତୃମୁଖ

ଦେଖିଲେ ନିକର ହେବ ଦୁର୍ବିସହ ଦୁଃଖ ।

ପୁରାତନ ବର୍ଷ ଶେଷ−ନିଶି ହେଲା ଗତ

ଉଠ ଉଠ ମୁଖ ଧୁଅ ହୋଇ ସୁଜାଗ୍ରତ ।

 

ପାହିଛି ବିଗତ ନିଶି ଉଇଁଅଛି ରବି,

ନବୀନମୁକୁରେ ଦେଖ ନବମୁଖଛବି ।

ପୁଣ୍ୟଭୂମି ଏ ଉତ୍କଳ ପବିତ୍ର ପୁରାଣ

ଆମ୍ଭ ଜନ୍ମଭୂମି ଭାଇ ନୁହେଁ ଏ ସାମାନ୍ୟ ।

ଆମ୍ଭରି ଦୋଷରୁ କିନ୍ତୁ ଅଟେ ଅଭାଗିନୀ

ସୁତଦୁଃଖ ସୁମରିଣ ହୁଅନ୍ତି ଦୁଃଖିନୀ ।

ଆସ ହେ ସକଳ ଭାଇ ଲଭି ମନୁଷ୍ୟତା

ଫିଙ୍ଗିଦେବା ଦୂରେ ପ୍ରାଣ−ଜନନୀ−ଦୀନତା ।

ପ୍ରତି ଧୂଳିକଣା ତାର ସ୍ୱର୍ଣ୍ଣରେଣୁ ମଣି

ମଣ୍ଡିବା ମସ୍ତକେ ଯେହ୍ନେ ମୁକୁଟରେ ମଣି ।

ଜନ୍ମିଥାଇଁ ଆମ୍ଭେ ପୁଣ୍ୟ ଉତ୍କଳ ଦେଶର

ଏହା କି ଅଳପ ଭାଗ୍ୟ ଆମ୍ଭମାନଙ୍କର !

 

ନବଯୁଗ

 

ବିଭାତିଛି ବିଭାବରୀ ଉଦିତ ଉଜ୍ଜ୍ୱଳେ

ହିରଣ୍ମୟ ଅଂଶୁମାଳୀ ସୃଷ୍ଟି−ଦିଙ୍ମଣ୍ଡଳେ ।

ତାମସୀ ଯାମିନୀ ଏବେ ଯାଇଅଛି ପାହି

ପ୍ରାଚୀନ ବୈଷମ୍ୟ ଦ୍ୱେଷ ଦେଖ ଆଉ ନାହିଁ ।

ଶତ ଶତ ବର୍ଷ ଘୋର ମୋହନିଦ୍ରାଗତ

ନବଯୁଗ−ସୁପ୍ରଭାତେ ପ୍ରବୁଦ୍ଧ ଭାରତ ।

ନିଖିଳ ଜଗତୁଁ ପାଇ ଶୁଭ−ନିମନ୍ତ୍ରଣ

ଉଦ୍‍ବୁଦ୍ଧ ଭାରତ ଲଭି ନବ ଜାଗରଣ ।

ଜଗତର ରାଜପଥେ ମହାକୋଳାହଳ

ଗମନ୍ତି ଉନ୍ନତି−ପଥେ ମାନବ−ମଣ୍ଡଳ ।

ପାଇଣ ପଶ୍ଚିମ ଦେଶୁଁ ନବ ନିମନ୍ତ୍ରଣ

ଭାରତ ଉନ୍ନତି−ପଥେ କରୁଛି ଗମନ ।

ପୂରୁବ କାହାଣୀ ଏବେ ପଡ଼ିଅଛି ମନେ

ଭ୍ରାତା ହସ୍ତ ଧରି ଭ୍ରାତା ଉଦ୍ୟତ ଗମନେ ।

 

ଅଙ୍ଗ ବଙ୍ଗ କଳିଙ୍ଗ ଯେ ଦ୍ରାବିଡ଼ ସୌରାଷ୍ଟ୍ର

କୋଶଳ ଗୁର୍ଜ୍ଜର ସିନ୍ଧୁ ସହ ମହାରାଷ୍ଟ୍ର ।

ଜାତିବର୍ଣ୍ଣନିର୍ବିଶେଷେ ଏକଛତ୍ର ତଳେ

ବିଧାତା−ବିଧାନେ ଶୁଭେ ମିଳିତ ସକଳେ ।

ଇଂରେଜ ଭାରତବାସୀ ନୁହନ୍ତି ତ ପର

ଏକ ଆର୍ଯ୍ୟବଂଶୁଁ ସମୁଦ୍ଭବ ଦୁହିଁଙ୍କର ।

ପଶ୍ଚିମ ବିଜ୍ଞାନୋଜ୍ଜ୍ୱଳ ଯୌବନଉଦ୍ଦୀପ୍ତ

ଜ୍ଞାନବୃଦ୍ଧ ଏ ଭାରତ ଭକ୍ତି ବିଭୂଷିତ ।

ପଶ୍ଚ ମନ କର୍ମଯୋଗେ କମ୍ପିତ ଜଗତ

ଭକ୍ତି ସୁପ୍ରସନ୍ନ−ଚିତ୍ତ ପ୍ରାଚୀନ ଭାରତ ।

ପଶ୍ଚିମେ ଜାଗ୍ରତ ଘୋର ଉଦ୍ଦାମ ପ୍ରବୃତ୍ତି

ପ୍ରାଚ୍ୟର ପ୍ରଧାନ ଧନ ସଂଯମ ନିବୃତ୍ତି ।

 

ପଶ୍ଚିମ ଏ ବର୍ତ୍ତମାନ ଭବେ ଜୟଯୁକ୍ତ

ପ୍ରାଚ୍ୟ ପାରତ୍ରିକ ମୁକ୍ତି ଅର୍ଜନେ ନିଯୁକ୍ତ ।

ଭକ୍ତି କର୍ମେ ପୂର୍ଣ୍ଣ ନୁହେ ମାନବଜୀବନ

ସର୍ବାଙ୍ଗୀନ ଉନ୍ନତିରେ ଦୁଇ ପ୍ରୟୋଜନ ।

ପୂର୍ବପଶ୍ଚିମର ଏହି ଶୁଭ ସମନ୍ୱୟ

ମଣିକାଞ୍ଚନର ଯୋଗ ସମ ପ୍ରଭାମୟ ।

ଜଗତ−ଦୁଆରେ ଏହି ଶୁଭ ସମନ୍ୱୟେ

ଉଭୟର ହସ୍ତ ଧରି ଧନ୍ୟ ସେ ଉଭୟେ

ଏ ଶୁଭ ପ୍ରଭାତେ ଜଗତର ପାପରାଶି

ଅବିଦ୍ୟା ଅନ୍ୟାୟ ଘୃଣା ଯାଉ ଶୀଘ୍ର ଭାସି ।

ସୃଷ୍ଟି−ସିଂହଦ୍ୱାରେ ମହାକାଳ−ସିନ୍ଧୁତୀରେ

ନବ ଅଭିଷେକ ହେଉ ନବୀନ ବିଧିରେ ।

ଦୁଇ ରତ୍ନବେଦୀ ହେଉ ଦୁଇ ପାଶେ ସ୍ଥିତ

ଜ୍ଞାନ−ଭକ୍ତି−ଦେବୀ ହେଉ ତହିଁ ପ୍ରତିଷ୍ଠିତ ।

ଉଡ଼ୁ ଊର୍ଦ୍ଧ୍ୱେ ସାମ୍ୟମୈତ୍ରୀ−ଧ୍ୱଜା ଅଭିନବ

ଆନନ୍ଦେ ମିଳନ୍ତୁ ତହିଁ ନିଖିଳ ମାନବ ।

 

ଜ୍ଞାନ ବିଦ୍ୟା ଥିଲା ବଦ୍ଧ କତିପୟ ଜନେ

ବଞ୍ଚିତ ଜନମଣ୍ଡଳୀ ସେ ମହାରତନେ ।

ଜାତିବର୍ଣ୍ଣନିର୍ବିଶେଷେ ଧନିକ ନିର୍ଦ୍ଧନ

ପୁରୁଷ ରମଣୀ ଏବେ କରନ୍ତି ଅର୍ଜନ ।

ବେତ୍ରହସ୍ତେ ଯମବତ ଗୁରୁନାମ ଧରି

ବିଭ୍ରାନ୍ତ ସନ୍ତ୍ରସ୍ତ ଶିଶୁ ନିର୍ଦ୍ଦୟେ ପ୍ରହାରି,

କଣ୍ଟକିତ ଜ୍ଞାନପଥ ବିଭୀକ୍ଷିକା−ପୂର୍ଣ୍ଣ

କରୁଥିଲେ ବିଦ୍ୟାଳୟ ବିଳାପ କରୁଣ,

ଆନନ୍ଦଧାମରେ ତାହା ହେଉ ପରିଣତ

କ୍ରୀଡ଼ାଛଳେ ଶିଶୁ ଜ୍ଞାନ କରୁ ସାଧ୍ୟାୟତ୍ତ ।

ପିତା ମାତା ଭ୍ରାତା ନିଜେ ଘୋର ଶତ୍ରୁ ସରି ।

ଦିଅନ୍ତି ଅମୃତ ଭାଣ୍ଡେ ବିଷ ପୂର୍ଣ୍ଣ କରି ।

 

ତାମସ ଅଜ୍ଞାନ ରାଜ୍ୟେ ଜ୍ଞାନଦୀପ ଧରି

ମାନବ ଉନ୍ନତି ପଥେ ଯାଉ ଅନୁସରି ।

ସମବେଦନାରେ ପ୍ରାଣ ପରିପୂର୍ଣ୍ଣ କରି

ଦୁର୍ଗମ ପଥରେ ତାର ନିଅ ଦୁଃଖ ହରି ।

ନିସର୍ଗ ନିର୍ଦ୍ଦିଷ୍ଟ ପଥ କରି ଅବଧାନ

ବିକଶିତ କର ତାର ପୁଣ୍ୟ ଭକ୍ତି ଜ୍ଞାନ ।

ପ୍ରଚ୍ଛନ୍ନ ଶକତି ତାର କରାଇ ଜାଗ୍ରତ

ଉଚ୍ଚତର ଆଦର୍ଶକୁ ଦେଉନ୍ତୁ ସତତ ।

ମହତ କର୍ତ୍ତବ୍ୟ ଏହୁ ଶିକ୍ଷକ ଅଗ୍ରତେ

ବିଶାଳ ଏ କର୍ମକ୍ଷେତ୍ର ପବିତ୍ର ଭାରତେ ।

ଜାତିଧର୍ମନିର୍ବିଶେଷେ, ଭୁଲି ଭେଦ ବୁଦ୍ଧି

ପବିତ୍ର କର୍ତ୍ତବ୍ୟ ଜ୍ଞାନେ କରି ଚିତ୍ତଶୁଦ୍ଧି,

ଯେ ଯାହାର କ୍ଷଦ୍ର ଶକ୍ତି କରି ସମର୍ପଣ

କରନ୍ତୁ ସାର୍ଥକ ପୂତ ମାନବଜୀବନ ।

ସତ୍ୟ ଏ କର୍ତ୍ତବ୍ୟ ଗୁରୁ, କ୍ଷୁଦ୍ର ଆମ୍ଭ ଶକ୍ତି

ତଥାପି ଏ କର୍ମକର୍ତ୍ତା ପ୍ରଭୁ ଜଗତପତି ।

 

କେତେ କ୍ଷୁଦ୍ର ଆରମ୍ଭରୁ କେତେ ମହାଫଳେ

ସମୁଦ୍ଭୂତ ହୋଇଥାନ୍ତି ବ୍ରହ୍ମାଣ୍ଡମଣ୍ଡଳେ ।

ସାମାନ୍ୟ ତ ବୀଜ, କିନ୍ତୁ ବୃକ୍ଷତ ବିଶାଳ

ଏହାହିଁ ତ ହୋଇ ଆସୁଅଛି ଚିରକାଳ ।

ମହାନ ମଙ୍ଗଳ ବିଧି ଶୁଭ ଇଚ୍ଛା−ମତେ

ହୁଏ ପ୍ରଧାବିତ ସୃଷ୍ଟି ଉନ୍ନତିର ପଥେ ।

ପୂତ ଶିକ୍ଷାଦାନ କାର୍ଯ୍ୟ ଉଦାର ମହାନ

ଏ ଜଗତ କର୍ମଭୂମି ତପସ୍ୟାର ସ୍ଥାନ ।

 

ପାର୍ବଣ

—୧—

ଆଜି ପୂଣ୍ୟ ପାରବଣେ ଯାତ୍ରା−ଦେଖାଳି

ନଈସୁଅ ପରି ବାଟେ ଯାଆନ୍ତି ଚାଲି ।

ପେଡ଼ିଲୁଗା ପିନ୍ଧି ଦେହେ ଘେନି ଗହଣା

ଗହଳେ ଗମନ୍ତି, ପଥ ନ ଯାଏ ଜଣା ।

ହସହସ ମୁଖେ ପାନ ସମସ୍ତଙ୍କର

ନାହିଁ ଘରକଣ ଶାଶୁ ନଣନ୍ଦ ଡର ।

ଏକାବେଳେ ଘରକଣ−ପଶା ବେଭାର

ଏକାବେଳେ ପୁଣି ଦାଣ୍ଡ ଘାଟେ ବାହାର !

ସବୁ କଥା ଧୀରେ ସିନା କଲେ ସୁନ୍ଦର,

ନୋହିଲେ ପ୍ରମାଦ ପଡ଼େ ଜାଣ ନିକର ।

 

—୨—

ଆଜି ପୁଣ୍ୟ ପାରବଣେ ଧାର୍ମିକଗଣେ

‘ମାନସିକ’ ବୋଦା ଘେନି ଯାନ୍ତି ଗହଣେ ।

କାହା ପୁଅ ମରୁ ମରୁ ବଞ୍ଚିଲା ବାରେ,

‘ମାନସିକ’ କଲା ବୋଦା ଚଣ୍ଡୀଙ୍କ ଠାରେ ।

ଜନ୍ତୁଟିଏ ନେଇ ଦେବୀ ପାଶେ ମାରିବ

ମେଏଁ ମେଏଁ ହୋଇ ପ୍ରାଣୀ ପ୍ରାଣ ତେଜିବ ।

ଆଖିବାଟେ କଲବଲେ ଜୀବ ଛାଡ଼ିବ

କଟମଟ ତରାଟି ତା ମୁଣ୍ଡ ଚାହିଁବ !

ଛଟପଟେ କବନ୍ଧ ଯେ କୁଦି ନାଚିବ

ଗଳଗଳ ହୋଇ ରକ୍ତସ୍ରୋତ ବହିବ !

ପୁଅଝିଅ ସଙ୍ଗେ ନାରୀ ଦେଖିବ ତାହା,

ତେବେ ତା ମନସ୍କାମନା ପୂରିବ ଆହା !

କୋମଳ ପରାଣ ତବ ଏହି କି ନାରୀ !

ଏଥିପାଇଁ ତାଳୁଥାଅ ନୟନବାରି !

ନିର୍ଦ୍ଦୋଷ ପ୍ରାଣୀକୁ ମାରି ହୁଏ କି ଧର୍ମ ?

ଧର୍ମ ନାମେ ପ୍ରାଣୀବଧ ପବିତ୍ର କର୍ମ ?

 

—୩—

ଆଜି ପାରବଣେ ଯେତେ ପିଲା ସଭିଏ

କିଣନ୍ତି କୁଣ୍ଢାଇ ଥୋକେ ମିଠାଇ କିଏ ।

ମନ ଆନନ୍ଦରେ ଖାଇ ବୁଲନ୍ତି ଖେଳି,

କେତେ ନାଚି ଗାଉ୍‍ଥାନ୍ତି ଧରିଣ ମେଳି ।

ଏଣେ ନିରିମାଖି ଝିଅ ଭାଇଟି କାଖେ

ଠିଆ ହୋଇଅଛି ଦୁଃଖେ ଗୋଟିଏ ପାଖେ ।

ଛଳ ଛଳ ଦୁଇ ଆଖି ନିରାଶ ମୁଖ,

ଫାଟି ପଡ଼ୁଅଛି ତାର ଦାରୁଣ ଦୁଃଖ ।

ଛିଣ୍ଡାଲୁଗା ଦେହେ, ପେଟେ ନାହିଁ ତା ଅନ୍ନ

ଉପବାସେ ମୁହଁ ତାର ପାଉଁଶ ବନ !

ନିଜ ଦୁଃଖ ବଳି ସାନ ଭାଇର ଦୁଃଖ

ଭାଳି ଶୁଣି ଯାଇଅଛି ତାହାର ମୁଖ ।

କଥାଟିଏ ନାହିଁ ମୁହେଁ ଚାହିଁଛି ଖାଲି,

କେତେ ଲୋକ ସେହିବାଟେ ଯାଆନ୍ତି ଚାଲି ।

କେହି ଡାକୁ ନାହିଁ, କେହି ନ କହେ କିଛି

କି କଥା ଭାଳିଶ ଆହା ଠିଆ ହୋଇଛି !

 

କେହି କି ଏ ବାଳିକାର ନୟନ‌−ଭାଷା

ବୁଝି ମେଣ୍ଟାଇବ ନାହିଁ ତା ମନ−ଆଶା ?

ଏ ଜନଗହଳରେ ନାହିଁକି ଜଣେ,

ଚାହିଁବ ଏ ବାଳିକାକୁ କୃପାନୟନେ !

ହା ଜନନି ! ଇଷ୍ଟଦେବି ! ଏ କି ବିଧାନ,

ନ କାନ୍ଦେ ସନ୍ତାନ ଦୁଃଖେ ତୋହରି ପ୍ରାଣ ?

ଏଡ଼େ ବଡ଼ ପର୍ବ ଏହା ଯୋଗୁଁ ବିଅର୍ଥ,

ଅପୂର୍ଣ୍ଣ ଆନନ୍ଦ ସିନା ! ହାଇରେ ଅର୍ଥ !

ଧୂଳିର ବିକାର ତୁହି ତୁଚ୍ଛ ଅସାର,

ତୁ ପୁଣି ମାନବେ ଦେଉ ଏଡ଼େ ପ୍ରହାର !

ମନେହୁଏ ଅନ୍ନପୂର୍ଣ୍ଣା ବାଳିକା ବେଶେ,

ଉଭାହୋଇ ବିଜେ କରିଛନ୍ତି ଏ ଦେଶେ ।

 

ବିଡ଼ନ୍ତି ଦୀନବତ୍ସଳା ଭକତ ମନ

ଦରିଦ୍ରର ଦୁଃଖ କିଏ କରେ ମୋଚନ ।

ଏ ବାଳିକା ତୁଷ୍ଟ ହେଲେ ଅନ୍ନବସନେ

ତୁଷ୍ଟ ହେବେ ଦାତାଠାରେ ଦେବୀ ଆପଣେ ।

 

—୪—

ଆଜି ପୁଣ୍ୟ ପାରବଣେ ଭକତଗଣ

କରନ୍ତି ଦେବୀଙ୍କୁ ଷୋଳପୂଜା ଅର୍ପଣ ।

ବାଜେ ଶଙ୍ଖ, ଘଣ୍ଟା, ତୁରୀ, ଭେରୀ, କାହାଳୀ,

କଂସାଳ ମୃଦଙ୍ଗ ସିନ୍ଧୁ−ଗର୍ଜନ ବଳି ।

ମନ୍ତ୍ର ଯନ୍ତ୍ର ପଢ଼ି ଧୂପ ନୈବେଦ୍ୟମାନ

ଆଡ଼ମ୍ବରେ ପୁରୋହିତ କରେ ପ୍ରଦାନ ।

ଅସଂଖ୍ୟ ମହିଷ−ଛାଗ−ମେଷ ହନନ—

ଯୋଗେ ଧରଣୀର ବକ୍ଷ ହୁଏ ପ୍ଳାବନ ।

ପ୍ରଜାଙ୍କର ତଣ୍ଟି ଚିପି କରି ମାଗଣ,

ଦରିଦ୍ରର ଭିଟାମାଟି କରି ଉଚ୍ଛନ୍ନ,

ପୁଣ୍ଡା ପୁଣ୍ଡା ‘ଭଦ୍ରଲୋକ’ ‘ସାଧୁ ‘ବ୍ରାହ୍ମଣ’,

କାହାଣ କାହାଣ ଦେଲେ ଭୂରି ଭୋଜନ ।

 

ଜମିଦାର ଧନୀଙ୍କର ରାଜସ ଧର୍ମ

“ଝିଣ୍ଟିକା ମାରିଣ ବଣି ପୋଷିବା”କର୍ମ ।

“ତେଲିଆ ମୁଣ୍ଡରେ ତେଲ ଢାଳିବା”ବିଧି

ପାଳିଣ ପିବ କି ତରି ଭବ−ବାରିଧି ?

କାହିଁ ଗଲା ପୁରାତନ ଶାସ୍ତ୍ର ବଚନ—

“ଦରିଦ୍ରଙ୍କୁ ଦିଅ ଧନୀ ନ ପାଉ ଧନ” ।

ହେ ଈଶ୍ୱର ! କି ବିଷମ ଅବିଧିମାନ

ଏ ଘୋର ଅନ୍ୟାୟ ପ୍ରଭୁ ତୁମ୍ଭ ଭିଆଣ ?

କାହିଁ ସେ ଆଧ୍ୟାତ୍ମତତ୍ତ୍ୱ ନିଷ୍କାମ ଧର୍ମ,

ଦୟାଦାକ୍ଷିଣ୍ୟାଦି ଶ୍ରେଷ୍ଠ ସାତ୍ତ୍ୱିକ କର୍ମ ?

ହୃଦ−ବେଦୀ ପରେ ଦେବୀ−ଶୁଭାଧିଷ୍ଠାନ,

ନିର୍ମଳ ପବିତ୍ର ପ୍ରୀତି ଭକ୍ତି ପ୍ରଦାନ,

 

ନିଖିଳ ବ୍ରହ୍ନାଣ୍ଡ ପୁଣି ଆତ୍ମାମନ୍ଦିରେ

ଦେବୀ−ଲୀଳା ଦେଖି ଭାସି ନୟନ ନୀରେ,

ବିଶ୍ୱମାତା କୋଳେ ଦେଖି ବିଶ୍ୱ ସଂସାର

ମାୟା−ବନ୍ଧନରୁ ସିନା ମିଳେ ଉଦ୍ଧାର ।

ଦେବୀଙ୍କ ସନ୍ତାନ ସର୍ବ ମାନବଗଣ ।

ଦେବୀଙ୍କ ବନ୍ଦନା କରେ ବିଶ୍ୱଭୁବନ ।

ବିଶାଳ ନଭୋମଣ୍ଡଳ ଘୋର ସାଗର,

ପର୍ବତ କାନନ ହ୍ରଦ ପଲ୍ଲୀ ନଗର,

ସୁରଭି କୁସୁମ ମଧୁ ବିହଙ୍ଗ ତାନ,

ବିଚିତ୍ର ସୁନ୍ଦର ଧରା ତାଙ୍କ ଭିଆଣ ।

ମାନବର ସେବାତୀତ ଚିନ୍ମୟୀ ଦେବୀ

ପ୍ରସାଦ ମିଳଇ ଦୀନ ଦରିଦ ସେବି ।

ଜନହିତ ସାଧୁନୀତି ଲୋକ କଲ୍ୟାଣ

ସାଧନ ଅଟଇ ଦେବୀ ପୂଜାବିଧାନ ।

ଦୀନେ ଅନ୍ନ ଜଳ ବସ୍ତ୍ର ବିଦ୍ୟା ପ୍ରଦାନ,

ରୋଗୀକୁ ଔଷଧ, ଦେବୀ ପୂଜା ବିଧାନ ।

 

ପ୍ରାୟଶ୍ଚିତ୍ତ

—୧—

ଦନାଇ ତନ୍ତୀର ହଜିଲ୍ଲା ଗାଈ

ଗାଆଁ କନ୍ଦି କନ୍ଦି ଖୋଜିଲ୍ଲା ଯାଇ ।

ନ ପାଇ ଦନାଇ ହୋଇ ହତାଶ

ଶୋଇଲା ସେ ରାତି ବୁଢ଼ା ଉପାସ ।

ସକାଳୁ ଗାଆଁରେ ହୁରି ପଡ଼ିଲା,

ଦନାଇର ଗାଈ ରଘାରେ ମଲା ।

ଗୋବିନ୍ଦ ତିହାଡ଼ୀ ଗାଆଁ ପଣ୍ଡିତ

ବ୍ୟବସ୍ଥା ଖୋଜିଣ କଲେ ବିହତ ।

ଅଢ଼ାଇଶ ଟଙ୍କା ଦନାଇ ଦେବ,

ତେବେ ଯାଇଁ ପ୍ରାୟଶ୍ଚିତ୍ତ ହୋଇବ ।

 

ବ୍ରାହ୍ମଣୀର ପାଟ, ବାସନମାନ,

ଭୂମି, ଗୋରୁ, ସୁନା ଏ ଆଦି ଦାନ ।

ଗରିବ ଦନାଇ ଜମି ବିକିଲା,

ପ୍ରାୟଶ୍ଚିତ ସାରି, ଦେଶ ଛାଡ଼ିଲା ।

 

—୨—

ତିହାଡ଼ୀ−ବଳଦ ଯୁଗ ଗୋଟାର

କରୁଥିଲା ତାଙ୍କ ହଳ ଓଟାର ।

ହଡ଼ା ହେଲା ଏବେ ନ ପାରେ ଚାଲି,

ତିହାଡ଼ୀ କହନ୍ତି, “ଶୋଇଛି ଖାଲି ।

କୁଣ୍ଡେ କୁଣ୍ଡେ କୁଣ୍ଡା ଦେଉଛି ଖାଇ

କାମବେଳେ ବଳ କଡ଼ାଏ ନାହିଁ ।

ନେଇଯାଅ ତାକୁ ବୁଲାଅ ହଳ

ପାଞ୍ଚଣ−ପାହାରେ ବାହାରେ ବଳ ।”

 

ହଡ଼ାକୁ ନେଈଣ ବିଲେ ମୂଲିଆ

ଲାଞ୍ଜ ମୋଡ଼ିଦେଲେ ଠେଙ୍ଗା−ବାଡ଼ିଆ ।

ଜିଭ କାଢ଼ି ହଡ଼ା ପଡ଼ିଲା ଶୋଇ ।

ତିହାଡ଼ୀ କହନ୍ତି, “ଶୋଇବା ଖୋଇ ।

ଏ ହଡ଼ା ନେଇଣ ହାଟକୁ ଯିବ

କଂସାଇ ପଠାଣେ ବିକି ଆସିବ ।”

ସେ ଟଙ୍କା ମାରିଣ ଅଣ୍ଟାରେ ନନେ*

ନାସ ସୁଙ୍ଗି ଗଲେ ବ୍ୟବସ୍ଥାଦାନେ ।

ଆଉ କେତେ ଶହ ବରଷ ନନା

କରିବ ସମାଜେ ଏ ପ୍ରବଞ୍ଚନା ?

 

*ନନେ—ଏଠାରେ ଏହି ଶଦ୍ଦଟି ତିହାଡ଼ୀଙ୍କ ଉଦ୍ଦେଶ୍ୟରେ ନନାଏ ନା ନନା ଅର୍ଥରେ ପ୍ରଯୁକ୍ତ ।

 

ତୀର୍ଥ−ଯାତ୍ରା

(ଭୁବନେଶ୍ୱର)

 

ଆରେ ହୋ ଓଡ଼ିଆ ଭାଇ, କର୍ମୁ−ଅବକାଶ

ପାଇଲେ ଭୁବନେଶ୍ୱର ଯାଇଁ ବୁଲିଆସ ।

ଅନୁକୁଳ କଲାବେଳେ ଘରର ଘରଣୀ

ଲଗାଇବେ ଅଳି, ସଙ୍ଗେ ଯିବାପାଇଁ ଘେନି ।

ଘନ କୃଷ୍ଣବେଣୀ ଏଣୀ−ନୟନ ନଚାଇ

ଛଳ ଛଳ ଲୋଚନରେ ଲୋତକ ପୂରାଇ

କହିବେ, “ଏ କଣେ ପଶି ଗଲା ଏ ଜୀବନ,

ଈଶ୍ୱରପାର୍ବତି ! ଧିକ ଧିକ ନାରୀଜନ୍ମ !

ନାରୀଜନ୍ମୁ କର ପାରି, ଇଚ୍ଛା ହୁଏ ଆହା !

ଜନ୍ମି ପକ୍ଷିଜନ୍ମେ ଯେହ୍ନେ ଏହି ଶାରୀ ଶୁଆ

କପୋତ କପୋତୀ ପରି, ଉଡ଼ି ଉଡ଼ି ଯାଇଁ

ଆକାଶ ଉପରେ କେତେ ଘର ଗ୍ରାମ ଡେଇଁ

କେତେ ବନ ପରବତ କେତେ ଗ୍ରାମ ହାଟ,

କେତେ ହ୍ରଦ ପୁଷ୍କରିଣୀ କେତେ ବାଟ ଘାଟ,

 

କେତେ ନଈ ସମୁଦର ଦେଶଦେଶାନ୍ତର,

କେତେ କେତେ ଭଳି ଲୋକ ନୂଆ ନୂଆ ଢଙ୍ଗ,

କେତେ ପହରଣ ଚାଲିଚଲଣ ଗହଣା

ଦେଖି ଚକ୍ଷୁବେନି ଆମ୍ଭ ହୁଅନ୍ତା ସାର୍ଥକ

ପିଲାଦିନେ ଥିଲୁଁ ଆହା କେମନ୍ତେ ସ୍ୱାଧୀନ

ସଙ୍ଗମେଳେ ଯାଉଥିଲୁ ଠାକୁର ପାଖକୁ,

କେତେ ହସି ଖେଳି ଯାଉଥିଲୁ ସାଇ ବୁଲି

ଘରକୋଣେ ପଶି ଏବେ ହେଉଛୁ ସନ୍ତୁଳି ।”

କିନ୍ତୁ ଯେତେ ସକେଇଲେ ନ ଭୁଳିବ କେବେ,

କହିବ, “ଗଡ଼ିଆ ଗଙ୍ଗା ମନ ତତ୍ତ୍ୱ କଲେ,

ରେଲଗାଡ଼ି ମାଇପଙ୍କୁ ଭାରି ଅସଜିଆ,

କେତେ ଲୋକ ମେଳା ମେଳା ଇଷ୍ଟେସନଠାରେ

 

ହାଉ ହାଉ କରୁଥାନ୍ତି ସାହେବଗୁଡାକ,

ଭଣ ଭଣ ମଦଗନ୍ଧ ବାହାରେ ତୁଣ୍ଡରୁ,

ଦିହକେ ନାହାନ୍ତି ଶୁଣି ଦାନ୍ତଘସା ନାମ,

କାଳିଆ ଗରୁଡ଼ ବିଷପାନ ତାଙ୍କ ପାଇଁ,

ସାହେବଙ୍କ ବିବି ମେଞ୍ଚା ମେଞ୍ଚା ହେଉଥାନ୍ତି

ପାଣ ଯେ ପଠାଣ ହାଡ଼ି ବାଉରୀ କଣ୍ଡରା !

ଚଣ୍ଡାଳ ବ୍ରାହ୍ମଣ କିଛି ନାହିଁ ତ ଠିକଣା;

ମଦ ଖାଇ କେହି ହୋଇଥାନ୍ତି ମତୁଆଲା,

ହେଞ୍ଜଡ଼ା, ଥୋବରା, ପାଜି, ଠକ, ବଦ୍‍ମାସିଆ,

ବାଇଆ, ବାସ୍ତୁରା, ଚୋର, ଅଜରା, ବାଳୁଙ୍ଗା

ଠୁଳ ହୋଇଥାନ୍ତି ଆସି ଇଷ୍ଟେସନଠାରେ,

ଭଲଲୋକ ବୋହୁ ଝିଅ ବେମହତୀ ହୋନ୍ତି,

ବାଜେ ଏ ଖବର ବନ୍ଧୁବାନ୍ଧବଙ୍କ ଗ୍ରାମେ,

“ଚମ ବାଇଦ ତ କୋଶେ, ତୁଣ୍ଡର ବାଇଦ

ସହସ୍ର−କୋଶ, ଏ କଥା ବାଜି ଚଉଦିଗ,

କେତେ କେତେ ଉଲୁଗୁଣା ଉଠିବ ବୃଥାରେ,

 

କାହିଁ କଥା କାହିଁ ଯାଇଁ ଉଠିବ ଶେଷକୁ,

ଢିଙ୍କିଶାଳ କଥା ଯାଇଁ ହେବ ଢେଙ୍କାନାଳେ ।

ଲେଡ଼ିର ତୋରାଣୀ ଯିବ କହୁଣୀକି ବୋହି,

ଡିବି ଡିବି ଅପବାଦ−ନାଗରା ବାଜିବ,

ବାପ ଭାଇ ନାମ ଯାଇ ପଡ଼ିବ ଦାଣ୍ଡରେ,

‘ଦୁହିତା ଦୁଇ କୁଳକୁ ହିତା ଅବା ପିତା,

ବୁଡ଼ାଇବ ବାପ ଶାଶୁ ଦୁଇ ଘର ନାମ,

ମୁଣ୍ଡ ଟେକି ବାଟ ଚାଲି ନ ପାରିବେ ସେହୁ,

ଲାଗିବ କଳଙ୍କ ଆହା ଚନ୍ଦ୍ରପରି କୁଳେ !”

ଏହିପରି ଛଳେ ବଳେ କଉଶଳେ ଭାଇ,

ଭଣ୍ଡାଇ ପ୍ରିୟାଙ୍କୁ କେବେ ନେବ ନାହିଁ ସଙ୍ଗେ,

ନେଲେ ପଛେ ମୁଣ୍ଡ କୋଡି ହେବାକୁ ପଡ଼ିବ,

 

ବିଗିଡ଼ି ଯିବେଟି ଗଲେ ଯାତରା ତୀର୍ଥକୁ,

ନିର୍ଲ୍ଲଜ୍ଜ ବେହିଆ ହେବେ ଛାଡ଼ିବେ ମହତ୍ତ୍ୱ,

ମୁଠାରୁ ବାହାରି କୁଳମର୍ଯ୍ୟାଦା ଏଡ଼ିବେ,

ସବୁ ଯାଉ କିନ୍ତୁ ଭାଇ ମହତଟି ଥାଉ,

ମହତ ଗଲେଟି ଭଲେ ନ ଆସଇ ଆଉ’

ବଲ ବଲ କରି ଲୋକ ମୁହଁକୁ ଅନାଇ

ତୁମ୍ଭ ମୁହେଁ କାଳି ଦଣ୍ଡେ ଦେବେଟି ଲଗାଇ,

ଅତି ନିଉଛୁଣୀ ସିନା ଏ “ମାଇପି ଜାତି,

ନାକ ନ ଥିଲେ ସେ ବଳେ ଅଖାଦ୍ୟ ଖାଆନ୍ତି,”

କେଉଁଠାରେ ହଗି ମୁତି ଯିବାକୁ କହିବେ,

ରେଳଗାଡ଼ିରେ ସେ ହରବର କରାଇବେ ।

ଚାଲି ନ ପାରିଣ ପଛେ ପଡ଼ି ବିଲବାଟେ,

ଦିନକ ବାଟକୁ ଦେଢ଼ ଦିନ ହିଁ କରିବେ ।

ଖାଇବେ କେଜାଣି କେତେ, କହନ୍ତି ପଣ୍ଡିତେ

‘ଆହାରଂ ଦ୍ୱିଗୁଣଂ ସ୍ତ୍ରୀଣାଂ’ ଡାକେ ଶାସ୍ତ୍ରବାଣୀ,

ତୁଚ୍ଛାକୁ ତ ଏତେ, ବାଟ ଚାଲିଲେ ବଢ଼ିବ ।

 

କେଉଁଠି ରହିବେ ଯାଇଁ, କେମନ୍ତେ ଚଳିବେ

ମହାହୀନସ୍ତା କଥା ସେ, କହିଲେ ନ ସରେ ।

ଅଣପୁରୁଷପଣିଆ ପ୍ରବାସେ ତୁମ୍ଭର

ଦେଖି ଘରେ ଆସି ଆଉ ନ କରିବେ ମାନ୍ୟ ।

ସମସ୍ତେ ତ ‘ଗାଁଆ ବାଘ’ କଳିଆ ଦ୍ୱନ୍ଦ୍ୱରେ,

ରାଗରେ ତ ତାଙ୍କୁ ତୁମ୍ଭେ ଦେଖା ନିଜରୂପ,

ମେଥିରୁ ସେ ଜାଣିଛନ୍ତି ତୁମ୍ଭପରି ବୀର

ନାହିଁ ନ ଥିବଟି ଏହି ଚଉଦଭୁବନେ,

ବିଦେଶେ ଦେଖିବେ ଯେବେ ନୁହଁ ତୁମ୍ଭେ କିଛି

ଜୀବନରେ ଆଉ ସେ କି ତୁମ୍ଭଙ୍କୁ ମାନିବେ ?

ପୁନଶ୍ଚ ମାଇପେ ଥିଲେ ସଙ୍ଗରେ ନିଶ୍ଚୟ

ପଣ୍ଡା ପଢ଼ିଆରୀ ନେବେ ଲୁଟି ଦୁଇଗୁଣ

 

ଓଲୁ ବନାଇଣ ନାକ ବାଳ ଧରାଇବେ,

ମାଇପେ ତ ସଙ୍ଗେ, ଭଲା ଯିବ କେଉଁଆଡ଼େ

ଏକୁଟିଆ ଥିଲେ ସିନା ନିଶ୍ଚନ୍ତ ମନରେ

ପଣ୍ତାଙ୍କୁ କାଟିବ ଚିତା ନ କରି ଭ୍ରୂକ୍ଷେପ,

ଠକ ବ୍ରାହଣକୁ ଆଡ଼ ଆଖିରେ ନ ଚାହଁ,

ଫଟା ପାହୁଲା ନ ଦେବ, କଲେ ସେ ନେହୁରା,

ନ ଛାଡ଼ିଲେ କିଛି ଦେଇ ଦେବ ବିଦା କରି ।

ଆଉ ଯେ ଗୋଟିଏ କଥା ଅଡ଼ୁଆ ରେ ଭାଇ,

ତୁମ୍ଭେ ତ ଇଂରେଜୀ ପଢ଼ ହୋଇଛ ସୁସଭ୍ୟ,

କାଟିଅଛ ଟେରି, ପିନ୍ଧିଅଛ ପରଚକ୍ଷୁ,

ମାଡ଼ିଅଛ ବୁଟ୍ ଜୋତା, ପିନ୍ଧିଛ କୁରୁତା,

ଦିଶୁଛ ସତେ କି ବିଲାତରୁ ଆମଦାନୀ,

ଏଥିକି ଯେ ପଟ ନ ପଡ଼ିବେ ସାଆନ୍ତାଣୀ,

ହଳଦି ସିନ୍ଦୂର ମେଥି ମୋଟ ମୋଟ ଶାଢ଼ୀ

ଅଳଙ୍କାର ବୋଝେ ହେଲେ ବାହାରିବେ ଘରୁ,

ସ୍ୱାମୀ ସ୍ତିରୀ ଦୁହିଙ୍କି ଯେ ଦେଖିବେ ଦାଣ୍ଡରେ

ଏ ସ୍ୱାମୀକି ନୁହେଁ ଯୋଡ଼ି ବୋଲି ଦେବେ ହସି ।

 

ଏକେ ତ ଅଡ଼ୁଆ ସଙ୍ଗେ ନେଲେ ମାଇପଙ୍କୁ

ତହିଁ ପୁଣି ଦେହ ତାଙ୍କ ଥିବ ଯେବେ ଭାରୀ,

କେଭେଁ ସଙ୍ଗେ ନେବ ନାହିଁ ହେ ଓଡ଼ିଆ ଭାଇ,

ଦୂରରୁ ଜୁହାର କରି ଯିବ ଏକୁଟିଆ

ନୋହିଲେ ଜାଣିଥା ତଥ୍ୟ ହେବ କୁଆବୁଆ ।

ହକେଇ ଚକେଇ ହେଲେ ରେଲଗାଡ଼ି ମଧ୍ୟେ

ହୋଇଯିବ ଯାହା, ତାହା ନ ହେଉ ଶତ୍ରୁକୁ ।

ଭେକା କରି ଦେବ ବେକ ନ ଦିଶିବ ବାଟ,

କଅଣ କରିବ କାହିଁ ଯିବ, ନ ଦିଶିବ

ବୁଦ୍ଧି, ଗାଲେ ଚାପୁଡ଼ାଟି ମାରି ହେବ ଭାଇ,

ଏହି କଥାମାନ ଭାବି ବାହାରିବ ଏକା ।

 

କିନ୍ତୁ ନ ଛାଡ଼ିବ ସଙ୍ଗ ପୁରୁଷବନ୍ଧୁଙ୍କ,

(ହଟହଟା ଜନମ ତ ନୁହଇ ତାଙ୍କର !)

ବଗି ଭଡ଼ା ଅଳ୍ପ ହେବ, ବାଟ ଗପସପ

ଥଟାମଜା କଥାବାର୍ତ୍ତା ଗୀତ ପାନଖିଆ—

ଆଦି ମଉଜରେ ଜଣା ଯିବ ନାହିଁ ଜମା,

ନୋହିଲେ ଠାକୁର ଦେଖି ନୋହିବ ମଉଜ ।

ବଗି ଥୟ କରିଥିବ ପୂର୍ବ ସଞ୍ଜବେଳୁଁ,

ବଡ଼ିଭୋରୁ ଦୂର ବନ୍ଧୁ ଘରେଯିବ ବଗି ।

ଦୁଇ ମିତ୍ର ନେବ ଥୋଡ଼ା ସନ୍ଦେଶ ମିଠେଇ,

ବାଟେ ଯାଉଁ ଯାଉଁ ଯେବେ ଦେଖ ପରିଚିତ—

ବନ୍ଧୁ କେହି ଅଣ୍ଟା କସି ଭିଡ଼ିଣ ଗାମୁଛା,

ଧପାଲୁଛି ମୁଣ୍ଡେ ମସ୍ତ ଚିତା ଟୋପି ମାରି,

ଯେବେ ଜଣାଥିବ ତାକୁ ଶୋଳକ ସୁମୁର୍ତ୍ତି,

ଏକୁଟିଆ ଥିଲେ ଡାକ ବଗିକରି ଠିଆ,

କିନ୍ତୁ ତାଙ୍କୁ ସଙ୍ଗେ ଥିଲେ ଜଣେ ଦୁଇଜଣ,

ଡାକ ନାହିଁ, ମନ ଊଣା ହେବ ଅନ୍ୟଙ୍କର ।

 

ବସିଲେ ସେ ଗାଡ଼ିବାଲା ହାଙ୍କିବ ଅଧିକ

ପଇସା ନ କହି କିଛି ଢ଼ୋକିବ ତା କଥା,

ଯେତେ ସେ କହିବ; ତାକୁ ଦେବ ବଗୁଲେଇ

କହିବ “ରେଳର ବେଳ ହେଲା, ଚଲା, ଚଲା,

ଚାଲିଗଲେ ରେଳଗାଡ଼ି ନ ଦେବୁ କଉଡ଼ି ।”

ବିଚରା ନିରାଶ ହୋଇ ଚଳାଇବ ଗାଡ଼ି,

ଇଷ୍ଟେସନଠାରେ ତାକୁ ଦେବ ତା ପଇସା,

ହାତ ପତାଇଣ ଦାନ୍ତ ନିକୁଟି ତେଲଙ୍ଗା

ମାଗିବ ସେ ବକସିସ୍ ତାକୁ ଦେବ ଦୁଇ ଚାରି ।

ବଗିରୁ ଓହ୍ଲାଇ ରଖିଦେଇ ଛତାବାଡ଼ି

ଟହଲିବ ଏଣେ ତେଣେ ଛାତିକୁ ଫୁଲାଇ,

ନ ବସିବ କୋଢ଼ିପରି “ବେକନ” ସାହେବ

 

ମନା କରିଛନ୍ତି ତାହା “ରଚନା ପୁସ୍ତକେ”

ପାନଖିଆ ଲାଲ ଦାନ୍ତେ ମୃଦୁ ହାସ୍ୟ କରି

କେହି କେହି ବନ୍ଧୁ ଆସି କରି ‘ଶେକ ହାଣ୍ଡ’

ପଚାରିବେ “ଭଲ ଅଛ” କହିବ “ହଁ ଭାଇ

ଏକପ୍ରକାରରେ ଅଛି, ତୁମ୍ଭର ଭଲ ତ ?”

ଇଂରେଜୀରେ ପଚାରିଲେ ଦେବ ଧନ୍ୟବାଦ

ଉତ୍ତର ନ ଦେଇ କିଛି, ପ୍ରଶ୍ନାକାରୀଙ୍କର

ଉତ୍ତର−ପ୍ରତ୍ୟାଶା ନାହିଁ, ଫ୍ୟାଶନ ସେହିତା,

ବିଧିରକ୍ଷା ଲକ୍ଷ୍ୟ, ତୁମ୍ଭେ ମଧ୍ୟ ରଖି ବିଧି ।

ଦୈବେ ଯେବେ ଥିବେ ତହିଁ ହିନ୍ଦୁକୁଳବାଳା,

ଗୌରାଙ୍ଗୀ− ଯୁବତୀ−କଟାଶିଆ ପିଙ୍ଗଳାକ୍ଷୀ−

ଲମ୍ବ ମୁହଁ−ସରୁ ଅଣ୍ଟା−କହରିଆ ବାଳ

ଛାଡ଼ି ତୁମ୍ଭ ଆଖି ଦିଟା ବୋହୁ ବିଚାରୀର

ମୁଣ୍ଡଠାରୁ ଗୋଡ଼ଯାଏ ଚରିଯିବ ପ୍ରସ୍ତେ,

ବିଶେଷେ ଓଢ଼ଣା ହାତେ ଥିଲେ ତା ଉପରେ,

ସେଥିରୁ କି ଲାଭପାଇଁ ଆହା ମୁହୁର୍ମୁହୁ

ଧଉଡ଼ିବ ବଗା ଆଖି ଓଢ଼ଣା ତଳକୁ ।

 

ମନେ ହେବ କାଳେ ଏହି ଓଢ଼ଣା ଆବୃତା

ହେବ ରବିବର୍ମାଙ୍କର “ମଦାଳସା” ପରି,

ଅଥବା “ଲାବଣ୍ୟବତୀ” ଭଞକବିଙ୍କର,

ଅବା ସ୍କଟ୍ କବିଙ୍କର “ରାବେନା ସୁନ୍ଦରୀ”,

ବୃଥା ଆଶା ! ଲମ୍ବ ଓସାରିଆ ମାଠ ତଳୁ

ସାଧ୍ୟ କାର, ଦେଖିବ ସେ ଅସୂର୍ଯ୍ୟମ୍ପଶ୍ୟାକୁ ।

କିନ୍ତୁ ନିଶ୍ଟେ ଜାଣେ ମୁହିଁ କାଢ଼ିଲେ ଓଢ଼ଣା,

ମନ ହୋଇଯାନ୍ତା କ୍ଷଣେ ଶିଶୁପାଳପରି,

ରାଣ ଦେଲାପରି ତାକୁ ନ ଅନାନ୍ତା ଆଉ ।

ପଚାରୁଛ, ଦେଖିଅଛି ମୁହିଁ ସେ ଲୋକକୁ ?

ଦେଖିଥିଲେ ଦେଖିଥିବି, ନୋହିଲେ ଅନ୍ଦାଜେ

କହିଦେଲି, ସମସ୍ତେ କି ଶକୁନ୍ତଳାପରି ?

 

ତୁମ୍ଭ ଘରେ ଯେଉଁମାନେ ତୁମ୍ଭଙ୍କୁ ପଚରା,

ଓଢ଼ଣା ପକାଇ ଆଣ, ଦେଖିବ ସମସ୍ତେ

ଅନାଇବେ ଚୋରି କରି ସତୃଷ୍ଣେ ସେ ଆଡ଼େ ।

ମାନବଚରିତ୍ରେ ଏହା ଗଭୀର ରହସ୍ୟ,

ଲୁଚାଇବ ଯାହା ତାହା ଲୋଡ଼ିବାକୁ ଇଚ୍ଛା

ଦ୍ୱିଗୁଣରେ ବଳବତୀ ହୋଇଥାଏ ସିନା ।

ସ୍ୱାଧୀନ ପ୍ରକାଶ୍ୟ ଯାହା ସହିଯାଏ ଆଖି,

ଦୈନନ୍ଦିନ ଘଟଣାରେ ମିଶିଯାଏ ତାହା,

କୋଟି ଦ୍ରବ୍ୟ ସଙ୍ଗେ ତାହା ହୋଇଯାଏ ଗୋଟା ।

କହ ଆରେ ବେରସିକ ଏହି ନୀଳାକାଶ;

ଏହି ଦିଗବଧୂ, ଏହି ବିକଚ କୁସୁମ,

ଏହି କଳକଣ୍ଠ ଚାରୁ ବିହଙ୍ଗମଠାରୁ

ଅଧିକ ଲାବଣ୍ୟବତୀ ? ତେବେ କିପାଁ ଆହା

ତାହା ଆଡ଼େ ନର ଲୋଭେ ଚାହେଁ ଚୋରି କରି ?

ଏହି ଦେଖ କୁଞ୍ଚି କୁଞ୍ଚି କୃଷ୍ଣ କେଶରାଶି

କୃଷ୍ଣାଙ୍ଗୀ ଭୁଜଙ୍ଗୀ ସମ, କି ଆଲୁଳାୟିତ,

 

ନବୀନ ଯୌବନ, ଗୁରୁ−ନୀଳ ନେତ୍ର ବେନି

ସୁଗୋଲ ସୁଗୌର ଚାରୁ ଚିକ୍‌କଣ କପୋଳ,

ଯା ବର୍ଣ୍ଣନେ ନାହିଁ କାଳି କଲମ କବିର,

ସୁଢ଼ଳ, ମୂରତି, ଚାଲି ଦେବ କନ୍ୟା ଶଚୀ,

ସୁଚାରୁ ବାର୍ଣ୍ଣିସ ଯୋତା ପିନ୍ଧି ପାଦ−ପଦ୍ମେ

ରଚ ରଚ ଚାଲିଯାଏ ଏଣେ ତେଣେ ଚାହିଁ

କାହାରି କାହାରି ସଙ୍ଗେ କରି ହାଣ୍ଡଶେକ;

ଏହାକୁ ତ କେହି କାହିଁ ନ ପକାଏ ଗିଳି,

ଅବା କେହି ଟେକି କାହିଁ ଘେନି ନ ପଳାଏ ।

(କହୁଛ, ମୁଁ ସାପ୍ତାହିକ ଖବରକାଗଜ

ପଢ଼େ ନାହିଁ ? ପଢ଼ିଅଛି ରେଳ−ଦୁର୍ଘଟଣା,

ମଦୁଆ ପାଜିଙ୍କ ନାରୀ−ଅପମାନ କଥା

 

ପଢ଼ଛି; ପଢ଼ିଛି ମଧ୍ୟ ଗ୍ରାମେ ଲୋକଘରେ

ପଶି ଦୁଷ୍ଟେ ରମଣୀର ନାଶନ୍ତି ସତୀତ୍ୱ,

ଘର ଛାଡ଼ି ଯିବାକୁ କି ଦେବ ଉପଦେଶ ?

ପଢ଼ିଛି ଡାକ୍ତରାମ ଭଲ କରୁଁ କରୁଁ

ରୋଗିଣୀ ଭୁଲାଇ ନିଏ, ଗୃହର ଶିକ୍ଷକ

ଶିକ୍ଷା ଦେଉଁ ଦେଉଁ ନିଏ ଛାତ୍ରୀକୁ ଭୁଲାଇ—

ରୋଗରେ ଚିକିତ୍ସା ଅବା ବିଦ୍ୟା−ଅଧ୍ୟୟନ

ବନ୍ଦ କରିବାକୁ ସର୍ବେ ଦେବ ପରାମର୍ଶ ?

ସାବଧାନେ ସବୁ କଥା ହୁଏ କରିବାକୁ,

ସାବଧାନେ ନାରୀ ସଙ୍ଗେ ଯିବ ବିଦେଶକୁ,

“ଶକ୍ତିର ସିଂହାର ରୂପ”—ଶକ୍ତି ରୂପରକ୍ଷୀ,

ଅନ୍ଧପଟଳି ତ ନୁହେ ଲାବଣ୍ୟ−ପ୍ରହରୀ ।)

ଓଢ଼ଣା ଦୂରର କଥା, ନାହିଁ ମୁଣ୍ଡେ ଲୁଗା,

ବଗି ଚଢ଼ି ଏହି ଦେଖ ସ୍ୱଜନ ସଙ୍ଗତେ

ଚାଲିଗଲା ଠିକଣାକୁ ମହାରାଣୀ ପରି;

ତୁମ୍ଭେ କିପାଁ ତ୍ରସ୍ତ ଏତେ ଘରଣୀଙ୍କ ପାଇଁ !

 

ଜଣାଯାଏ ମୋତେ ଏହୁ ମହିଳା ଶିକ୍ଷିତା

ବଙ୍ଗବାଳା ପଢ଼ିଅଛି ବେଥୁନ କଲେଜ,

କିମ୍ବା ଦେଖ ତୈଲଙ୍ଗୀୟା ସୁନ୍ଦରୀ ରୂପସୀ

ଖୋସା ମାରୀ ମୁଣ୍ଡେ ପିନ୍ଧି ନାଲିଆ ଘାଗରା,

ଟଙ୍ଗ ଟଙ୍ଗ ଚାଲିଯାଏ ସ୍ୱଜନ ଆଗରେ;

ଦେଖ ଏ ପାର୍ଶି ମହିଳା ଚସ୍ମା ଦେଇ ଚକ୍ଷେ

ଢ଼କ ଢ଼କ ସରୁ ଦେହ, ହାଡ଼ ମାଂସ ମିଶି

ହେବ ନାହିଁ ଦଶ ପଳ, ଯାଉଅଛି ଚାଲି,

ଆଉ ଟିକେ ଶେତାରଙ୍ଗ ହୋଇଥିଲେ ଦେହ

ବିବି ବୋଲି ଭାବିଥାନ୍ତେ ଦର୍ଶକସମାଜ

ଅବା ଦେଖ ମହାରାଷ୍ଟ୍ରୀ ମହିଳା ଏ ବାଳା

ସ୍ୱାଧୀନ ନିଶ୍ଚିନ୍ତଭାବେ ବସିଅଛି ରେଳେ,

 

କାନରେ ଲବଙ୍ଗ, କୋଳେ ଘେନି ନିଜ ଶିଶୁ,

ଏମାନେ ସମସ୍ତେ କି ରେ ଅଟନ୍ତି ଅସତୀ ?

ନର ଦେଖି ନାରୀ ଯେବେ ହେଲା ଦୋଚାରୁଣୀ

ଘରେ ପଶି ଯେଉଁମାନେ ଦିଅର ଚାକର,

କୁଣିଆ ଆସିଲେ ତାହା ସଙ୍ଗେ କାରବାର

କରନ୍ତି, ସେମାନେ କିପାଁ ହେବେ ସର୍ବେ ସତୀ ?

ମନୁଷ୍ୟର ମନ ପ୍ରତିହିଂସାପରାୟଣ,

ଲୁଚାଇବ ଯାହା ତାହା ପାଇବାକୁ ଇଚ୍ଛା

ଦ୍ୱିଗୁଣରେ ବଳବତୀ ହୋଇଥାଏ ସିନା ।

ଶିଶୁକୁ ଜନନୀ ଯାହା ଛପାଇଣ ରଖେ

ତାହା ପାଇବାକୁ ଶିଶୁ ନୁହେ କୌତୂହଳୀ ?

ଚୂନୁଖାଇ ଦେଲେ ସେ ତା ଫିଙ୍ଗିଦିଏ ଦୂରେ

ଗୁଆକାତି ଲାଗି ଦୁଷ୍ଟ ପ୍ରସାରଇ କର ।

ରେ ମମ ଦୁର୍ବୃତ୍ତ ଚିତ୍ତ ! ସାଧରେ ସଂଯମ,

ନାରୀ ଆଡ଼େ ନ ଫେରାଅ ଅପବିତ୍ର ନେତ୍ର,

ଯେବେ ଦେଖ ନାରୀମୁଖ, ଜନନୀ ଭଗିନୀ ।

ମୁଖ ପରି ଦେଖ ତାହା ପବିତ୍ର ନିର୍ମଳ ।

 

ଦେଖେ ଯେବେ ଲୋଳ ଚଳ ଅପୂତ ଅପାଙ୍କ

ଘୃଣାଭରେ ପଦାଘାତ କର ମନେ ମନେ ।

ନେତ୍ରେ ନେତ୍ରେ ତିରସ୍କାର ଦିଅ ସେ ଦୁଷ୍ଟାକୁ

ଜାଣୁ ପାପାୟସୀ ସବୁ ସ୍ଥାନେ ଏ ଜଗତେ

ନୁହେଁ ପାପଜୟ, ଏହି ପୁଣ୍ୟ ପୃଥିବୀରେ

ନାହିଁ ପାପସ୍ଥାନ ଲେଶ, ଅଛନ୍ତି ବିଧାତା,

ନିତ୍ୟ ପବିତ୍ରତାରୂପେ ସମାଜ ଶୋଣିତେ,

ସାଧୁଜନ−ନେତ୍ରେ, ରାଜଦଣ୍ଡ ନ୍ୟାୟଦଣ୍ଡେ;

ଏପରି ରମଣୀ ଯେବେ ତୁମ୍ଭ ହସ୍ତ ଧରି

ବିବାହିତ ହୋଇଥାନ୍ତା, ଜୀବନ କି ଧନ୍ୟ

ମଣିଥାନ୍ତ ? ତେବେ କିପାଁ ଚକ୍ଷୁଲଜ୍ଜା ତାକୁ ?

 

ଗୋରା ଚର୍ମ ତଳେ ତାର ପଚରା ଦୁର୍ଗନ୍ଧ—

ପାତକ−ଦୁର୍ଗନ୍ଧ ତାହା, ହେୟତମ ଭବେ !

ଅବିଶ୍ୱାସ, ବ୍ୟଭିଚାର, କୃତଘ୍ନତା, ପାପେ—

କର୍ମେ କୁଳକଳଙ୍କିନୀ, ରୂପେ କୁଳବଧୂ ।

ଦେହେ ସ୍ୱର୍ଗ, ଚରିତ୍ରରେ ଭୀଷଣ ନରକ !

ଦେଖିବ ବିସିନୀ ଜଣେ ଇସ୍କୁଲିଆ ବାବୁ;

ମହାଦୁର୍ବିନୀତ ଚିତ୍ତ, ନୟନେ ପ୍ରଚକ୍ଷୁ,

ଲୋଡ଼ା ନାହିଁ ଯାହା ତାର ରସିକତା ବିନୁ,

ଉପରକୁ ମୁହଁ ଟେକି ଛାତିକି ଫୁଲାଇ,

ବିନା କାମେ ଅକାରଣେ କରେ ଦୌଡ଼ାଦୌଡ଼ି

ଘସି ହେଉଥାଏ ଯହିଁ ଥାଆନ୍ତି ଲଳନା ।

ଗଳା ବସାଇଣ କଥା କହୁଥାଏ ହସି,

ଦେଖି ଯା ଫାଜିଲିପଣ ଜଳିଯାଏ ହାଡ଼

ଏହିମାନେ ଜ୍ଞାନାର୍ଜ୍ଜନ କରନ୍ତି ହା କାଳ !

ଏହିମାନେ ଭାରତର ଭବିଷ୍ୟ ଭରସା !

ୟାଙ୍କ ଯୋଗୁଁ ଏ ଭାରତ ପାପ−ରସାତଳୁଁ

ଉଠିବ ଉଦ୍ଧାର ପାଇ ସପ୍ତମସ୍ୱରଗେ !

 

କାହିଁ ଗଲା ଭାରତର ଆର୍ଷ ବ୍ରହ୍ମଚର୍ଯ୍ୟ,

କଠୋର ବୈରାଗ୍ୟାନଳେ ଷଡ଼୍‌ରିପୁ−ଆହୁତି ?

ଆଶା ଅଛି ସ୍ୱଦେଶର ସେହି ବ୍ରହ୍ମଚର୍ଯ୍ୟେ,

ସେହି ନିଦା ମନୁଷ୍ୟତା, କଠୋର ସଂଯମ,

ନିର୍ମମ ବୈରାଗ୍ୟ, ଆତ୍ମସୁଖ−ବଳିଦାନ ।

ପାରେ ଯେବେ ନେଉଟାଇ ସେ ବୈରାଗ୍ୟକେହି,

ଯେ ବୈରାଗ୍ୟେ ପୂର୍ଣ୍ଣ ଯୁବା କଚ ମହାଚେତା

ପୂର୍ଣ୍ଣାଙ୍ଗୀ ଯୁବତୀ ଦେବଯାନୀ ପ୍ରୀତି−ପାଶ

ହେଲେ କାଟି ସାଧିଥିଲେ କଠୋର କର୍ତ୍ତବ୍ୟ

ମହାପ୍ରେୟ ଏଡ଼ି ଲୋଡ଼ି ମହାଶ୍ରେୟ ପଥ,

ବିଷମ କର୍ତ୍ତବ୍ୟ−ବହ୍ନି ଜଳାଇ ହୃଦୟେ

 

ନିଜ ପ୍ରିୟତମ ଇଚ୍ଛା ବାସନା କାମନା

ପକାଇଲେ ହୋମ−ଆଜ୍ୟନିଭ ସୁବ୍ରାହ୍ମଣ ।

ମୃତସଞ୍ଜୀବନ ମନ୍ତ୍ର ସାଧି ବ୍ରହ୍ମଚାରୀ

ଦେବଲୋକେ ଜିଣାଇଲେ ଦାନବ−ଉପରି ।

ଏହି ଭଳି ଭାଳୁଁ ଭାଳୁଁ ଘୋର ଘର୍ଘରିଣ

ଭୋଁ ଓଁ ଭୋଁ ଓଁ ବୋବାଳିଣ, ଉଦ୍‌ଗାରିଣ ଧୂମ,

ଘନଘଟା, କ୍ଷୁଦ୍ରମେଘ ବଜ୍ରଧ୍ୱନି ସୃଜି

ଗର୍ଜିଣ ବାତୁଳା ହାତୀ ପରି ତଡ଼ି ଆସି

ମାତି, ସର୍ବେ ପଶୁ ପକ୍ଷୀ ପିଲାଙ୍କୁ ମତାଇ

ଉତ୍କର୍ଣ୍ଣ କରାଇ, କ୍ଷୁଦ୍ର ପ୍ରଳୟ ଘଟାଇ,

କଟା କଳା ଧଳା ମୁହଁ ପଦାକୁ ଦେଖାଇ,

କେତେ ଭଳି ନରନାରୀ ଉଦରେ ପୂରାଇ,

ଚଅଁର ଆଲଟ−ନୀଳ ପତାକା ଉଡ଼ାଇ,

ଟିକେଟ ବିକ୍ରେତା ମନ ଅସ୍ଥିର କରାଇ,

ତା ଆଖି ରଙ୍କାଇ ତାକୁ ରଗାଇ ମଗାଇ

ଯାତ୍ରି ଗଣେ ପରସ୍ପରେ କହୁଣୀ ମରାଇ,

 

ଟିକେଟ ଝରକା ପାଖେ ବେଦମ କରାଇ,

ଝରକା ସନ୍ଧିରେ କେତେ ହାତକୁ ପୂରାଇ,

ସେ ହାତକୁ କିରାନୀର ହାତରେ ମରାଇ,

ଟକ୍ ଟାକ୍ ଟିକଟକୁ ତର୍ ତର୍ କଟାଇ,

ଷ୍ଟେସନକୁ ଚପ୍ ରାଶିର ମୁହଁରେ ଡକାଇ,

ଫାଟକ ପାଖରେ ବହେ ଲଢ଼ାଇ ଲଗାଇ,

କୁଲି ମୁହେଁ “କୁଲି” “କୁଲି” ଚିତ୍‌କାର କରାଇ

ବୋହୁମାନଙ୍କର ମୁଖୁଁ ଓଢ଼ଣା ଉଠାଇ,

ଚରୁଥିବା ଗୋରୁଗାଈ ଦୂରେ ତରକାଇ,

ଗାର୍ଡ଼ ସାହେବର ମୁଖେ ଚରଟ ଗୁଞ୍ଜାଇ,

ପ୍ଳାଟ୍‌ଫର୍ମ ଉପରକୁ ତାହାକୁ ଓହ୍ଲାଇ,

କେତେ ଲୋକଙ୍କର ଦାନ୍ତ ପଦାକୁ ଦେଖାଇ,

 

କେତେ ଲୋକଙ୍କର ହାତ ମୁଣ୍ଡରେ ରଖାଇ;

କେତେ “ଲେଡ଼ି” ଙ୍କର ହାତେ ରୁମାଲ ଉଡ଼ାଇ,

ହଲୁଥିବା ରେଳେ ହୋଇ ହକେଇ ଚକେଇ,

ଶୋଇଥିବା ଯାତ୍ରୀଙ୍କର ସୁନିଦ୍ରା ଭଙ୍ଗାଇ;

ଯାତ୍ରୀ ହାତ ଡ଼ାକତରେ ପରୀକ୍ଷା କରାଇ, *

ଲେଡ଼ି ଡ଼ାକତରେ ମାଇପକୁ ପରଖାଇ,

ଆସିବ ଆଗ୍ନେୟ ରଥ ବିଜୁଳି ବେଗରେ ।

ଚଟା ଚଟ୍ କାଟି ଦୁଇ ଟିକିଟ୍ ପହିଲେ

ବସିଯିବ ଗାଡ଼ି ମଧ୍ୟେ ଆଗମୁହାଁ ହୋଇ,

ସାବଧାନେ ଥିବ ଗୁଣ୍ଡି ପଥର କୋଇଲା

ଆଖିରେ ପଶିଣ କରାଇବ ଲଣ୍ଡ ଭଣ୍ଡ ।

ଧାଆଁ ଧାଆଁ କରୁଅଛି ବର୍ତ୍ସେ ଲୌହରଥ,

କିନ୍ତୁ ଚମକିବ ନାହିଁ ପିଉଛି ସେ ପାଣି,

ଶୋଷେଇଛି ଏତେ ବାଟ ଦଉଡ଼ି ଦଉଡ଼ି ।

କିଛୁକ୍ଷଣ ରହି ଇଷ୍ଟେସନ କାମ ସାରି,

ଠଣଠାଣ ତିନିଥର ବଜାଇଣ ଘଣ୍ଟା,

 

ଭୋଁଓଁ ଭୋଁଓଁ ରାବ ଦେଇ ଛାଡିବ ଷ୍ଟେସନ,

ସାଇଁ ସାଇଁ ଧୂଆଁ ଧଡ଼ ଧଡ଼ ଗାଡ଼ିଚକ

ବାତୁଳ ପରାୟେ ରେଳ ଧାଇଁଯିବ ଛୁଟି,

କ୍ଷିପ୍ତ ଧୂର୍ଜଟିଙ୍କ ସମ ପ୍ରଚଣ୍ଡ ତାଣ୍ଡବେ

ମାତି ମତାଇବ ସର୍ବେ କଚାଡ଼ି ହଲାଇ,

ଉଠାଇ ପକାଇ କରି ହକେଇ ଚକେଇ;

କଅଣ କରିବ ତୁମ୍ଭେ ବସ ଥିର ହୋଇ

ତୁନି ହୋଇ ଚେକାମାଲି, ଗୋଡ଼ ବା ଲମ୍ବେଇ

ତୁମ୍ଭ ଅକ୍ତିଆର ଏଥି ନାହିଁ କିଛି ଭାଇ,

ପର ଇନ୍‌ତିଜାର କଥା ହୁଏ ଏହିପରି ।

 

* କବିତାଟି ଲେଖା ହୋଇଥିବା ସମୟରେ ପ୍ଳେଗ୍ ପ୍ରାଦୁର୍ଭାବ ଯୋଗୁଁ ଷ୍ଟେସନରେ ଯାତ୍ରୀମାନଙ୍କ ହସ୍ତ ପରୀକ୍ଷା ହେଉଥିଲା ।

 

ପାଞ୍ଚ ମନେ ପାଞ୍ଚି ଏହା, ବସିବ ଗୁମାନେ,

କାହାରି ମୁଣ୍ଡକୁ ନ ହାଣିବ “ଅନୁରାଗେ ।”

କାହାରି ଅନିଷ୍ଟ କିଛି ନ କରିବ ପଥେ

ଅନ୍ୟାସ କାରଣେ କେହି ତୁମ୍ଭକୁ ଦଣ୍ଡିଲେ,

ଗୋଖର ସାପର ବ୍ରତ ଆଚରିବ କିନ୍ତୁ ।

ସର୍ପ ତାର ଯାଉଥାଏ ମୁଣ୍ଡ ତାର ପୋତି,

ତାକୁ କେ ମାଡ଼ିଲେ, ବିକଟାଳ ଫଣା ଟେକି,

ଦିଏ ହାଣି ଏକାଥରେ ମନକୁ ମନାଇ,

ନରମେ ଗରମେ କାମକରିଣ ହାସଲ

ପାନ ଖଣ୍ଡେ ପକେଟରୁ କରିଣ ବାହାର,

ବେଶି ଥିଲେ ସଙ୍ଗୀ ବନ୍ଧୁ ଅବଶ୍ୟ ପାଇବେ,

ନ ଥିଲେ ମୁହଁରେ ଗୁଞ୍ଜ ଦେବ, ଥରେ ଯାଚି,

ଛଳେ ବଳେ କଉଶଳେ ମାରିନେବ କାମ

କହିବ, ଦୁଃଖର କଥା, ଆଉ ଜମା ନାହିଁ

ପାଟି ଟକ ଟକ ହେଲା’ କଲି ଟାଉ ଟାଉ

ସଦବ୍ୟବହାର ତାର, ସାପ ଯେହ୍ନେ ବେଙ୍ଗେ ।”

 

ଆସନ ଜମାଇ ଅନାଇବ ଦୁଇଆଡ଼େ,

ଧାଇଁ ଥିବା ଦ୍ରୁତେ ଦୁଇ ପାଶେ ଗଛଲଟା

ଘେନି ନୀଳାକାଶ ତୁମ୍ଭ ବିପରୀତ ଦିଗେ

ଦୂର ଗିରିରାଜି ତୁମ୍ଭ ସଙ୍ଗେ ଦଉଡ଼ିବେ ।

ଧନ୍ୟ ହେ ଇଂରାଜ−ଧନ୍ୟ ହେ କରଣୀ,

ଧନ୍ୟ ଆମ୍ଭେମାନେ ହେଲୁ ତୁମ୍ଭର ପରଜା,

ଧନ୍ୟ ଧନ୍ୟ ବିଜ୍ଞାନର−ଅଦ୍ଭୁତ ଶକତି

ଅଦଭୁତ ଉଦ୍ଭାବନ—କଳିର ପୁଷ୍ପକ,

ଶତ ଶତ ବର୍ଷ ପ୍ରପୀଡ଼ିତ ଏ ଭାରତେ

ସ୍ଥାପିଛ ଅକ୍ଷୟ କୀର୍ତ୍ତି, ମହାସମନ୍ୱୟ

ବିରାଜିଛି ଭୂଭାରତେ, ଚୋର ଡ଼କାଇତେ

ପୂର୍ଣ୍ଣ ଥିଲା ବାଟଘାଟ, ଆଜି ନିର୍ଭୟରେ

 

ଯାଏ ନର ଦେଶଦେଶାନ୍ତରେ ଯାତ୍ରା ତୀର୍ଥେ,

ସଂକୀର୍ଣ୍ଣତା କୁସଂସ୍କାର ଯାଉଅଛି ଭାଙ୍ଗି

ଚମ୍ପଟ କରୁଛି ଜାତିଭେଦ ଦ୍ୱେଷ ବୁଦ୍ଧି,

ବିରାଟ ସାମ୍ରାଜ୍ୟେ ପରିଣତ ଏ ଭାରତ,

ପରସ୍ପର ଧର୍ମ୍ମନୀତି ବୁଦ୍ଧିରୀତି ଢଙ୍ଗ

ଦେଖି ଚାଲିଯାଏ ଦିନୁଦିନ ଘୃଣାଦ୍ୱେଷ,

ମହାସମନ୍ୱୟକାରିବିଶ୍ୱଗ୍ରାସି−ଭାଷା

କରେ ଏକ ପରିବାରେ ପୃଥ୍ୱୀ ପରିଣତ ।

ଗାଡ଼ି ଚାଲୁଁ ମନେ ପଡ଼ି ପ୍ରିୟା−ଚନ୍ଦ୍ରାନନ

କ୍ଷୋଭ ହେବ କିପାଁ ଘରୁ ବାହାରିଲା ବେଳେ

ତରତରେ ଚାରୁଗଣ୍ଡେ ଚୁମ୍ବିନ ଆସିଲି,

ଏହିକାଳେ ହୋଇପାରେ ଅନ୍ତିମ ମେଲାଣି ।

ପାଶେ ଥିଲେ ଯାହା ଲାଗୁଥାଏ କଡ଼ାକର,

ଲକ୍ଷେକୋଟି ଗୁଣେ ମୂଲ୍ୟ ବତେ ଦୂରେ ତାର,

ବିରଦ−ଚନ୍ଦ୍ରଙ୍କୁ ଦେଖିପ୍ରବାସ−ପୂର୍ଣ୍ଣମା

ପ୍ରଣୟ−ପୟୋଧି ସିନା ଉଛୁଳି ଉଠଇ ।

 

ତେଣୁ ଭାଇ ବିଚ୍ଛେଦର କମାରଶାଳରେ

ପ୍ରଣୟ ପଝେଇ ନେଉଥିବ ମଧ୍ୟେ ମଧ୍ୟେ,

ବରଷା ଦିନର ପାଗ ପଚର ପଚର

ପାଣି ମୂଲ୍ୟ ଜାଣି ନ ପାରଇ କୃଷିବଳ,

କିନ୍ତୁ ଯେବେ ଟାଣ ଖରା ଫଟାଏ ବିଲକୁ

ଝାଇଁ ଝାଇଁ ଖରା ଶାଗ ଖରଡ଼ିଲା ପରି

ଝାଉଁଳି ପଡ଼ଇ ଶୁଆପଖିଆ କିଆରୀ,

ସେତେବେଳେ ଊର୍ଦ୍ଧ୍ୱ ନେତ୍ରେ ଅନାଇ ମେଘକୁ

ଝୁରଇ କୃଷକ ଯେହ୍ନେ ତୃଷାର୍ତ୍ତ ଚାତକ.

ପାଖେ ଥିଲେ ପାଖଘଷା ହୋଇଥାଏ ଲୋକ,

ଗାଁଆକନ୍ୟା ସବୁଦିନେ ସିଙ୍ଗାଣୀନାକୀଟା,

ଅତି ପରିଚୟେ ହୁଏ ଗଉରବ ନଷ୍ଟ ।

 

ନବୀନ ପ୍ରଣୟ ବେଳେ ପ୍ରିୟା ନ ଆଣିଲେ

ନିଜେ ପାନ ଭାଙ୍ଗି, ତାହା ହୋଇଥାଏ ଥୁଆ

କାଲିଯାଏ, ଏଥିପାଇଁ ଲାଗେ କେତେକଳି

ଘରେ ଏଥିପାଇଁ କେତେଥର ରୁଷି ରୁଷି

ଗତ ରାତିକଥା ହୁଏ ଗୁପତେ ପ୍ରକାଶ

ରାନ୍ଧି ବାଢ଼ି ସମସ୍ତଙ୍କୁ ପରଷିଣ ସାରି,

ଶାଶୁ ଯାଆଙ୍କର ସେବା କରି ପାନ ଭାଙ୍ଗି

ଉଛୁରରେ ଆସିବାରୁ କେତେ ଅଭିମାନ,

ଚାତକ ସମାନ ପ୍ରିୟା ଝୁଣ୍ଟିଆ ଶବଦ

କାଚ ଝମ ଝମ ଚାହିଁ ନ ମାଡ଼ଇ ନିଦ,

ସେଦିନ ଗଲାଟି କେଣେ ଅତୀତରେ ବୁଡ଼ି

ହୀରକୁ ଅଣ୍ଟାରେ ମାରି ହେଲାଣି ଗୋଟାଳି ।

 

ଆଜିକାଲି ଆହା ରାତି ଦଶଘଡ଼ି ଯାଏ

ଲେଖାପଢ଼ା ନ ସରଇ, ହାୟ କି ଦୁଦୈର୍ବ !

ଜୀବନ ଅସ୍ଥାୟୀ ପାଣି−ଫୋଟକା ସମାନ

ସାପ କାମୁଡ଼ିବା ଅବା ଝୁଣ୍ଟି ପଡ଼ିବାରେ

ପୋଲଭଙ୍ଗା ଦୁଇ ରେଲଗାଡ଼ି ସଙ୍ଘର୍ଷଣେ

ସାହା ଉଡ଼ିଯାଇ ପାରେ, ଏ ଜୀବନ ଲାଗି

କେତେ ରାଗ କେତେ ହିଂସା କେତେ ଦ୍ୱେଷଈର୍ଷା

କଳହ ଅନର୍ଥ ଖଣି ଏହି କ୍ଷୁଦ୍ର ସ୍ୱାର୍ଥ !

ଆଖି ବୁଜି ଦେଲେ କେହି ନାହିଁ ତ୍ରିସଂସାରେ

ଆଜି ମଲେ କାଲି ଦୁଇ ଦିନ ହୋଇଯିବ,

ଭୁଲିଯିବେ ସର୍ବେ, ନିଭିଯିବ ସର୍ବକାର୍ଯ୍ୟ,

ବୁଡ଼ିଯିବ ନାମ, ଲୋକେ ଭୂତ ପ୍ରେତ ସଙ୍ଗେ

ଏକାସନେ ବସାଇଣ କରିବେ କଳ୍ପନା

ଭଲ ମନ୍ଦ କାର୍ଯ୍ୟ ମାତ୍ର ରହି କିଛି ଦିନ

ପ୍ରଚାରିବ ଯଶ ଅମଯଶ ଏ ମହୀରେ ।

ପ୍ରିୟଜନମାନେ ମଧ୍ୟ ପାଶୋରିବେ କାଳେ,

ସଦବ୍ୟ ହାର ଶେଳ ବିନ୍ଧିବ ଦାରୁଣ

କେବେ କେବେ ସ୍ମୃତିବକ୍ଷେ, ଉଠୁଥିବ କୋହ,

 

ବାହୁନି କାନ୍ଦିବେ ଅବା କହି ବନ୍ଧୁଗଣେ

ମାନସବେଦନା କିଛି କରାଇବେ ଲଘୁ,

ମନ୍ଦ ବାକ୍ୟ ମନ୍ଦ କର୍ମ ସୁମରିଣ କେହି

ସ୍ମୃତିପଟୁଁ ପକାଇବେ ପୋଛି ମୃତନାମ ।

ଏକା ଏହିପରି ଦିନେ ଯିବାକୁ ତ ହେବ

ସେ ଲୋକ ଯେ ଲୋକୁଁ କେହି ଫେରି ନାହିଁ କେବେ,

ଅଜ୍ଞାତ ଅଜ୍ଞେୟ ରାଜ୍ୟ, ଅଚିହ୍ନା ଅଜଣା

ସଙ୍ଗୀ ମାତ୍ର ଥିବେ ସେହି ପ୍ରଭୁ ଅନ୍ତର୍ଯ୍ୟାମୀ

ଯାଙ୍କଠାରୁ ଏ ସଂସାର ପ୍ରତି ମୁହୂର୍ତ୍ତରେ

ଲକ୍ଷ କୋଟି କର ପ୍ରସାରିଣ ଆଣେ ଟାଣି

ଦେଇଣ ବିଷୟ−ବିଷ−ମୋଦକ ଭଣ୍ଡାଏ;

ଯା ଆଭାସ, ପାଏ ଦୂର ଅନ୍ତର−ଆକାଶେ,

ଅଳସ ଆଭାସ, କେବେ ଆଖି ବୁଜି ବୁଜି

ଶୂନ୍ୟ ଶୁଷ୍କ ହୃଦୟରେ ଫେରିଆସେ ଘରେ ।

 

ପାପାସକ୍ତ ମାୟାମୁଗ୍‌ଧ ମନେ କେତେଦିନ

ବୃଶ୍ଚିକଦଂଶନ ସମ ବିବେକ ଦଂଶଇ;

କିନ୍ତୁ ଆହା କୃପା କରି କୃପାମୟ ହରି

କଣିକା ପ୍ରସାଦ ଦେଇ ସକଳ କଳୁଷ

କଟାକ୍ଷରେ ପଖାଳନ୍ତି ଅପାର ଦୟାରେ

ଅଛି ମୋ ଶୁଷ୍କତା−ସୀମା, ପାପପରିମାଣ

ନାହିଁ ତାଙ୍କ ଅସରନ୍ତା କରୁଣାର ଅନ୍ତ,

ବ୍ରାହ୍ମମୁହୂର୍ତ୍ତର ପରଂବ୍ରହ୍ମଙ୍କ ଦର୍ଶନ

ନିର୍ବାକ ନିସ୍ତବ୍‌ଧ ଧ୍ୟାନେ ନିସର୍ଗ ସନ୍ନିଧେ

ମଗ୍ନ ହୋଇ ଯେ ସମ୍ଭୋଗ, ଶତବର୍ଷଯାଏ

ଉନ୍ମତ୍ତ ମୃଦଙ୍ଗମାଡ ନାଚରୁ ଗରିଷ୍ଠ ।

ଏହିପରି ଭାବୁଁ ଭାବୁଁ ଗଡ଼ିଯିବ ବେଳ;

ଭୁବନେଶ୍ୱର ଷ୍ଟେସନେ ପହଞ୍ଚିବ ଗାଡ଼ି ।

 

ଅସମ୍ପୂର୍ଣ୍ଣ ନିକୁଞ୍ଜଲତା

 

କାନନ ମଣ୍ଡନା ନିକୁଞ୍ଜଲତା

ବହୁ କି ଅପୂର୍ବ ପ୍ରେମବାରତା !

ମୃଦୁ ମନ୍ଦବାତ ହରଇ ଚିତ୍ତ,

କୁହୁ କୁହୁ ପିକ ଗାଏ ସଙ୍ଗୀତ ।

ଗୁଣୁ ଗୁଣୁ ସ୍ୱନେ ଉଡ଼େ ଭ୍ରମର

ଶୁଭେ ତୋ ରହସ୍ୟ ମଧୁମର୍ମର ।

ତୋର ଚାରୁ ଅଙ୍ଗେ ଫୁଟଇ କଢ଼ି,

କେଉଁ ବିଧି ତାହା ଅଛଇ ଗଢ଼ି ?

ବୋଳି ହୋଇ ଅଭିନବ ଯୌବନ

କଢ଼ି ଫୁଟି ହୁଏ ସଜ ସୁମନ ।

ଦିଗ ଚହଟାଇ ତାର ସୌରଭେ,

କିଏ ହେବ ତାର ତୁଳନା ଭବେ ?

ନିକୁଞ୍ଜଲତା ଗୋ ନିକୁଞ୍ଜଲତା,

କେତେ ସୁହାଗରେ କହୁ ତୁ କଥା !

ଢଳ ଢଳ ତୁହି ଝୁଲୁ ପବନେ

ଲାଖି ରହିଥାଏ ତାହା ମୋ ମନେ ।

 

କୋମଳ ସୁନ୍ଦର ତୋହର ତନୁ ।

ପାସୋର ନ ଯାଏ ଏ ମୋର ମନୁଁ !

ଥିଲେ ଏ ଗୀତରେ ତୋର ସୌରଭ

ହୁଅନ୍ତା ସଂସାରେ ତାର ଗୌରବ ।

ନିଜେ ବିଶ୍ୱକର୍ମା ପୂତ ପାବନ

ଧୁଅନ୍ତେ ଲାବଣ୍ୟେ ତୋ ଅପଘନ ।

ମୁହିଁ ତ ସଂସାରେ ନଗଣ୍ୟ କବି

ଚିତ୍ରିବି ତୋ ସମ କେବଣ ଛବି ?

ତଥାପି ତୋ ନାମ ଧରିଣ ଲତା,

ଗାଇବି ଏ ମମ ମର୍ମ ବାରତା ।

 

ଶତ୍ରୁମିତ୍ର

 

ସ୍ଥିର ହ୍ରଦେ ଦିନେ ହରିଣ ଦେଖି ଶୃଙ୍ଗର ଛାୟା,

ବଖାଣି ସୁନ୍ଦରପଣ ତା ହେଲା ଆହ୍ଲାଦେ ବାୟା ।

କିନ୍ତୁ ସରୁ ପାଦ ଦେଖିଣୁ ମନେ ଲଭିଲା ଦୁଃଖ,

କହିଲା, “ହାଇରେ ବିଧାତା, କେଡ଼େ ନିର୍ବୋଧ ମୁର୍ଖ !

ଏ ସୁନ୍ଦର ଶିଙ୍ଗ ସହିତେ ଦେଲୁ କୁତ୍ସିତ ପାଦ,

“ନାଶଇ ଏ ଶୋଭା ସମ୍ପଦ, ହୁଏ ହର୍ଷେ ବିଷାଦ !”

ଏମନ୍ତ ସମୟେ ଆସିଲା ବ୍ୟାଧ ମୃଗେ ଗୋଡ଼ାଇ,

ଧନୁର୍ବାଣ ଦେଖି ତରାସେ ମୃଗ ଗଲା ପଳାଇ,

କ୍ଷିପ୍ର ପଦକ୍ଷେପେ ହରିଣ ଗଲା ଦଉଡ଼ି ବନେ,

ଲାଖି ଯାଉଁ ଶୃଙ୍ଗ୍ ଲତାରେ କହେ ବିଷଣ୍ଣ ମନେ,

“ଧିକ ଧିକ ଏ ମୋ ଶୃଙ୍ଗକୁ ଏ ମୋ ପ୍ରାଣ ବଇରି,

ନିନ୍ଦୁଥିଲି ପାଦେ, ନିରେଖି ସିନା ଏ ଶୃଙ୍ଗ ଶିରୀ ।

କିନ୍ତୁ ସେ ପାଦ ମୋ ସହାୟ, ଶୃଙ୍ଗ ଭଗାରୀ ଢାଳେ,

ବିପରୀତ ସିନା ହୁଅଇ ବୁଦ୍ଧି ବିନାଶ− କାଳେ ।”

 

ପିତାପୁତ୍ର

(୧)

ପିଲାମିଆଁ ଅନାଇଣ ଆକାଶର ଜହ୍ନ

“ଏ କିସ”, “ଏ କିସ” ବୋଲି ପୁଚ୍ଛଇ ପ୍ରଶନ ।

ବଡ଼ମିଆଁ କହୁଥାନ୍ତି ଯେତେଥର ‘ଜହ୍ନ’

ଛୁଆମିଆଁ ପଚାରନ୍ତି “କଅଣ, “କଅଣ” !

କାଳକ୍ରମେ ସାନମିଆଁ ହେଲେ ବଡମିଆଁ,

ବଡ଼ମିଆଁ ବୁଢ଼ା, ଚଳେ ଏସନ ଦୁନିଆ ।

ଦିନେ ମିଆଁ ପୁତ୍ର ଗୁଣ ବିଡ଼ିବା କାରଣ

ଚାନ୍ଦ ଦେଖି ପଚାରନ୍ତି, “ଏ କିସ ?” ପ୍ରଶନ ।

 

ତିନିଥର ମିଆଁ “ଚାନ୍ଦ” ଦେଲେକ ବତାଇ,

ଚାରିଥରେ ବେକେ ବିଧା ଦେଲେକ ବସାଇ !

ବୁଢ଼ୀ କହେ, “ଅଲ୍ପାୟୁଷ ! ଥିଲୁ ଯେବେ ପିଲା,

କହିଥିଲି ଶଏଥର ନ କରିଲି ଢିଲା ।

ଚାରିଥର ପଚାରନ୍ତେ ଧୈର୍ଯ୍ୟଚ୍ୟୁତ ହେଲୁ

ବୁଢ଼ ବାପା ପିଠିରେ ତୁ ଏଡ଼େ ବିଧା ଦେଲୁ ?

କବି ବୋଲେ ଦୁନିଆଟି ବୁଲି ମୁଁ ଅଇଲି

ଘରେ ଘରେ ଏହି ଲୀଳା ସର୍ବତ୍ର ଦେଖିଲି ।

 

—୨—

ଗ୍ରାମପାଠଶାଳା ପାଠ ସାଙ୍ଗ କରି ହରି

କଟକ ଆସିଲା ଦିନେ ପିତା ପଛ ଧରି ।

ଛନ୍ନ ଛନ୍ନ ହରି ମନ ଦେଖିଣ ନଗର

ଭୟରେ ଅଧୀର ପିଲା ଅନ୍ତରେ କାତର ।

ବୋଧ ଶୋଧ କରି ବାପା ଗଲା ରଖି ଦେଇ

ଚୁଟି କାଟି ହରିବାବୁ କାଟିଲେ ଫିରେଇ ।

ଖଡ଼ୁ ନୋଳି କାଢ଼ି ହରି ପିନ୍ଧି ଶାର୍ଟ କୋଟ

ବାର୍ନିସ ଚଷମା ପିନ୍ଧି ହେଲେ ସେ ବମ୍ଭୋଟ ।

 

ସଙ୍ଗୀବାବୁଗଣ ସଙ୍ଗେ ବୁଲନ୍ତି ବଜାର

ଲଜ୍ଜାରେ ବାପାଙ୍କୁ ହରି ନ ହେଲେ ଜୁହାର ।

କଟକେ ସେ ବର୍ଷ ହେଲା ବସନ୍ତ ପ୍ରବଳ

ହରିବାବୁ ଶଯ୍ୟାଶାୟୀ ଅତ୍ୟନ୍ତ ଦୁର୍ବଳ;

ବୁଝିଲେ ସୁଖର ସାଥୀ ସଙ୍ଗାତ ମଇତ୍ର

ପିତୃପଦଧୂଳି ଘେନି ହେଲେ ସେ ପବିତ୍ର ।

 

ଅକର୍ମାର ଆତ୍ମଗର୍ବ

 

ନିର୍ମୂଳୀ କହଇ, “ବୃକ୍ଷ ! ମୋଠାରୁ ତୁ ହୀନ, ।

ମୃତ୍ତକାରୁ ରସ ଶୋଷୂଥାଉ ନିଶିଦିନ ।

ସଂସାର ସାମାନ୍ୟ କାର୍ଯ୍ୟ ଯେହୁ କରୁଥାଇ,

ଲୋକରେ ସେ ଘୃଣ୍ୟ ହୁଏ, ନୀଚ ସେ ବୋଲାଇ ।”

କହଇ ଆକ୍ଷେପି ବୃକ୍ଷ, ମୁହିଁ ନିରନ୍ତର

ସାଧୁକର୍ମେ ଜୀବନକୁ ସମର୍ପେ ମୋହର

ନିର୍ମୂଳୀର ମୂଳ ନାହିଁ, ମୋ ଦେହର ରସ

ପିଇ ଆନନ୍ଦରେ ଦିଶେ ସୁନ୍ଦର ସରସ ।

“ମୋର ଖାଇ ମୋତେ ଏହୁ ଘୃଣା ଯେ କରଇ,

ଏ ବିଷମ କଥା କିପାଁ ସଂସାରେ ଘଟଇ !”

ପକ୍ଷୀ ଏକ ବସିଥିଲା ସେ ବୃକ୍ଷ ଉପର ।

କହିଲା, “ହେ ବୃକ୍ଷ ! ତୁହି ଆକ୍ଷେପ ନ କର

ନିଜ ଶିଙ୍ଗେ ମାଟି ଖୋଳୁ, ନୋହୁ ତୁହି ହୀନ,

ନୀଚ ସେହି ପରଅନ୍ନେ ବଞ୍ଚେ ଯେହୁ ଦୀନ ।”

 

ଅଗ୍ନି ଓ ଧୂମ

 

ଧୂମ କହେ, “ଅଗ୍ନି ଦେଖ ମୁହିଁ କେଡ଼େ ଉଚ୍ଚ

ମୋ ଇଚ୍ଚତା ତୁଳନାରେ ତୁହି କେତେ ତୁଚ୍ଛ !

ଘରଦ୍ୱାର, ତରୁଲତା, ବନଗିରି ଟପି

ଆକାଶେ ଉଠଇ ମୁହିଁ, ତୁହି ଅଛୁ ଛପି ।

ଆଙ୍କି ବାଙ୍କି ବିହାୟସେ ଉଡ଼େ ମୁଁ କେସନ,

ଦେଖନ୍ତି ଜଗତଜନ ବିସ୍ଫାରି ନୟନ ।”

ଅଗ୍ନି କହେ, “ଆହେ ଧୂମ ତୋହରି ଅସ୍ତତ୍ୱ

ଜ୍ଞାନୀଏ ଜାଣନ୍ତି ଅଟେ ମୋହରି କୃତିତ୍ୱ ।”

 

 

ଏକ କାର୍ଯ୍ୟର ଭିନ୍ନ ଫଳ

 

ଏକ ଦିନେ ଦୁଯୋଗରେ ସାଧବ ଗୃହରେ

ଲାଗିଯାଇ ଅଗ୍ନି ଜଳେ ଖର ପବନରେ ।

ସାଧବର ସାନ ପୁଅ ଦାସୀକୋଳେ ରହି,

ଅଗ୍ନି ଦେଖି ଆନନ୍ଦରେ ନାଚଇ ଖେଳଇ ।

କଷ୍ଟ ଉପାର୍ଜ୍ଜିତ ଧନ ହୁଏ ଭସୀଭୂତ,

ଦେଖିଣ ସାଧବ ଘୋର ଦୁଃଖେ ଅଭିଭୂତ ।

ଗର୍ଜ୍ଜିଣ ଆସିଲା ଅଗ୍ନି−ନିର୍ବାପକ କଳ

ଦେଖି ଦୂରୁଁ ସାଧବର ପ୍ରାଣେ ପଶେ ବଳ

ଶୁଣିଣ ଅଚିହ୍ନା ସେହି କଳର ଗର୍ଜ୍ଜନ

ସଭୟେ ସାଧବ ପୁଅ କରଇ କ୍ରନ୍ଦନ ।

ଏକ କାର୍ଯ୍ୟ ଦୁହିଁଙ୍କର ମନର ଉପରେ

ବିପରୀତ କାର୍ଯ୍ୟ କଲା ଅଦ୍ଭୁତ ରୂପରେ ।

ହୃଦୟନିହିତ ପୂର୍ବଜ୍ଞାନ−ଅନୁସାରେ

ଏକ କାର୍ଯ୍ୟ ବିଭାତଇ ବିଭିନ୍ନ ପ୍ରକାରେ ।

 

ଗ୍ରୀଷ୍ମ ଓ ବର୍ଷା

 

ବର୍ଷା କହେ, “ଖରା ! ତୁହି ବଡ଼ ନିଦାରୁଣ,

ଶୁଖାଉ ତୁ ଜଳାଶୟ ପୋଡ଼ୁ ପତ୍ରତୃଣ;

ଦେଖ ମୁଁ ଅଜସ୍ର ଜଳଧାରା କରି ଦାନ

ବଞ୍ଚାଏ କିପରି ଖିଳ ପ୍ରକୃତିର ପ୍ରାଣ ।

ତୋ ରାଜ୍ୟ ଶ୍ରୀହୀନ ଆଉ ମରୁଭୂମି ସରି

ଧୁଉ ଧୁଉ ଜଲେ * ଧରା, ପତ୍ର ପଡ଼େ ଝରି ।

ମୋ ରାଜ୍ୟ ଶ୍ରୀମନ୍ତ କେଡ଼େ, ନନ୍ଦନର ସରି

କଳ କଳ ଜଳେ ଧରା ନିର୍ଝରରୁ ଝରି ।

 

* ଜଳେ—ପ୍ରଜ୍ଜ୍ୱଳିତ ହୁଏ । ଜଳେ—ଜଳଦ୍ୱାରା ।

 

ମୁହିଁ କେଡ଼େ ଦାତାଷଣ୍ଢ ତୁ କେଡ଼େ କୃପଣ,

ନେଉ ପ୍ରାଣ, ଦିଏ ମମ ଜୀବନ * ଜୀବନ ”

କହେ ଗ୍ରୀଷ୍ମ, “କିପାଁ ବର୍ଷା କରୁ ବୃଥା ଗର୍ବ,

ମୋ ଯୋଗୁଁ ତୋହର ସିନା ଏ ସମ୍ପଦ ସର୍ବ !

ଧରାବକ୍ଷୁଁ ବାରି ଯେବେ ନ ନିଅନ୍ତି ନଭେ

ପାଆନ୍ତୁ କିଜଳ ତୁହି ବରଷାର ଲବେ ?”

 

ନର ଓ ବ୍ୟାଘ୍ର

 

“ହେ ବ୍ୟାଘ୍ର ! ତୁ ନର ଖାଉ, ଅଧର୍ମୀ ତୁ ଅତି,

ତୋତେ କିପାଁ ସୃଜିଥିଲେ ପ୍ରଭୁ ଜଗତ୍ପତି ?

ଏ ବଡ଼ ଅଦ୍ଭୁତ, ବୁଝି ନ ପାରଇ ମୁହିଁ;

ଜଗତରେ କିସ ଉପକାର କରୁ ତୁହି ?”

କହେ ବ୍ୟାଘ୍ର, “ହେ ମାନବ ! କର ତ ବିଚାର

ତୁ କି ମେଷ, ଛାଗ ମତ୍ସ୍ୟ ନ କରୁ ଆହାର ?

 

ତାଙ୍କର କି ପ୍ରାଣ ନାହିଁ ? ତାହା କିପାଁ ଧର୍ମ,

ମୋ ଜୀବିକା ହେଲା କିପାଁ ଉତ୍କଟ ଅଧର୍ମ ?

ନିରପେକ୍ଷ ବିଚାରେ ମୁଁ ଯେବେ ଭୟଙ୍କର,

ନୁହଁ ତୁମ୍ଭେ ମାନବ କି ଭୟଙ୍କରତର ?

ମୁଁ ସିନା ଜଙ୍ଗଲ ଜନ୍ତୁ ନିପଟ ଅଜ୍ଞାନ,

ନାନା ଶାସ୍ତ୍ର ପଢ଼ି ପରା ଅର୍ଜିଅଛ ଜ୍ଞାନ ?

କେତେ ଜୀବ ମାରି କର ସତତ ଆହାର

ଜୀବନ୍ତରେ ତତୋଧିକ କର ଅତ୍ୟାଚାର ।”

 

* ଜୀବନ—ଜଳ । ଜୀବନ ପ୍ରାଣ ।

 

ନର ଓ ନାରୀ

 

ନର—ଆଗୋ ନାରୀ ! ଅଟ ତୁମ୍ଭେ ଅତୀବ ଅଜ୍ଞାନୀ,

ନାରୀ—ତୁମ୍ଭ ଅତ୍ୟାଚାର ଫଳ ନୁହେଁ କି ତା ଜ୍ଞାନି ?

ନାରୀ—ନାରୀ ତୁମ୍ଭ ମଧ୍ୟେ ବହୁ ଅଛନ୍ତି ଅସତୀ,

ନାରୀ—କିଏ ତାହା କରାଇଲା ଆହେ ଯତି−ଜାତି ?

ନର—ନାରୀଏ କଳହପ୍ରିୟା, ଜଗତେ ବିଖ୍ୟାତ,

ନାରୀ—ଶିକ୍ଷା ଅଭାବରୁ ନୁହେ କି ଏ ଦୋଷ ଜାତ ?

ନର—ନାରୀଙ୍କୁ ବିଶ୍ୱାସ ଶାସ୍ତ୍ରେ ଅଟେ ଅବିହିତ,

ନାରୀ—ସେ ମଧ୍ୟେ ତୁମ୍ଭର ମାତୃଦେବୀ ଅଛନ୍ତି ତ ?

ନର—ନାରୀଏ ସନ୍ତାନମଳ ସ୍ୱହସ୍ତେ ପୋଛନ୍ତି

ନାରୀ—ତା ନୋହିଲେ ଶିଶୁବେଳେ ବଞ୍ଚନ୍ତ କିମତି ?

ନର—ସ୍ୱାମି−ପୁତ୍ର−ପକ୍ଷପାତୀ ସଙ୍କୀର୍ଣ୍ଣ ସେ ମନ,

ନାରୀ—ସେ ଦୋଷ କି ଗୁଣ ରୂପେ ନ ହୁଏ ଗ୍ରହଣ ?

ନର—ଅଳପ କଥାରେ ନାରୀ କରନ୍ତି କ୍ତିନ୍ଦନ,

ନାରୀ—ନିଃସହାୟ ଅବସ୍ଥା କି ନୁହେଁ ତା କାରଣ ?

 

ଆଲୋତ ଓ ଅନ୍ଧାର

 

ଆଲୋକ କହଇ, “ଛିରେ ଅନ୍ଧାର ତୁ କଳା

ଦେଖ ମୁହିଁ କି ଉଜ୍ଜ୍ୱଳ, ଗୌରବର୍ଣ୍ଣ, ଧଳା !

ସର୍ବେ ମୋତେ ସୁଖ ପା’ନ୍ତି ମୁହିଁ ଜୀବମିତ୍ର,

ତୁ ଅଟୁ ପ୍ରାଣୀର ଅରି ଅତୀବ କୁତ୍ସିତ !

ଉଦ୍ଭିଦ, ମାନବ, ଶିଶୁ, ବୃଦ୍ଧ, ଯୁବାଜନ

ସମସ୍ତେ ମୋହର ଭକ୍ତ, ମୁଁ ଜୀବଜୀବନ ।”

ଅନ୍ଧାର କହଇ, “ସତ ଭବେ ତୋ ଆଦର

ତାହାର କାରଣ କିନ୍ତୁ ଅସ୍ତିତ୍ୱ ମୋହର ।

 

ମୋ ଅସ୍ତିତ୍ୱ ଯେବେ ବନ୍ଧୁ ସଂସାରେ ନ ଥାନ୍ତା,

କିଏ କିପାଁ ତୋର ଭାଇ କଣିକା ଲୋଡ଼ନ୍ତା ?

ମୁହିଁ ନିଦ୍ରା ପକ୍ଷପାତୀ, ଆୟୁବୃଦ୍ଧିକାରୀ,

ମୋତେ ଲୋଡ଼ିଥାନ୍ତି ବେଳକାଳେ ନରନାରୀ ।

ଅତ୍ୟନ୍ତ ଗର୍ହିତ ସର୍ବ—ଏ ଆପ୍ତବଚନ,

ସମସ୍ତ ଲୋଡ଼ା ଭବେ, ଗର୍ବ ଅକାରଣ ।”

 

 

ଛୁଞ୍ଚି ଓ ଚାଲୁଣୀ

 

ଚାଲୁଣୀ କହଇ, “ଛୁଞ୍ଚି ରେ, ତୋର ଛିଦ୍ରକୁ ଅନା

ବଡ଼ ଲାଜକଥା ସିନା ଏ । ଧିକ ବିଧିକୁ ନାନା ।

କରୁ ତୁହି ଲୁଗା ସିଲେଇ ସତ ମାନୁଛି ମୁହିଁ,

ଏ ଦୁର୍ବହ ଲଜ୍ଜା ମାତ୍ରକ ସହି ଥାଉ ତ ତୁହି ।

କେମନ୍ତେ ଲାଞ୍ଛନା ଘୁଞ୍ଚିବ ସଦା ମୋର ଭାବନା ।”

ଛୁଞ୍ଚି କହୁଅଛି, “ଗୋଦରି ! ନିଜ ଗୋଡ଼କୁ ଅନା ।

 

ସହସ୍ର ଛିଦ୍ର ଯେ ନିଜର ! ତାହା ଦେଖି ନ ଦେଖୁ,

ଗୋଟିକ ଛିଦ୍ରଏ ମୋହର, ତାକୁ ବାହୁନି ଲେଖୁ ।

ସାରା ସଂସାର ଏ ବେଭାର ତୁ ବା କରିବୁ କିସ,

ବିଷଦୃଶ କିପାଁ ଏ ସୃଷ୍ଟି କଲ ହେ ଜଗଦୀଶ ।”

ସାରା ଶ୍ରେଷ୍ଠଜୀବ ମାନବ ମଧ୍ୟେ ଏହି ବେଭାର,

ନିରନ୍ତର ଦେଖା ଯାଉଛି ସ୍ୱାର୍ଥ କାରଣ ତାର ।

ନିଜଦୋଷ ଦେଖି ମାନବେ ପର ଦୋଷ ବିଚାର,

କରୁଥିଲେ ସ୍ୱର୍ଗ ପାଲଟି ଯା’ନ୍ତା ଏହି ସଂସାର ।

 

ପ୍ରକତି ଓ ସମାଜ

(୧)

ଚାଲୁଥିଲି ପଲ୍ଲୀପଥେ ନିର୍ଜ୍ଜନ ଭ୍ରମଣେ,

ଗଛହଣା ଶଦ୍ଦ ଦୂରୁ ଶୁଣିଲି ଶ୍ରବଣେ ।

ଜନପଦ ଉପକଣ୍ଠେ ଥିଲା ଉପବନ

ନାନାଜାତି ଲତାଦ୍ରୁମେ ନୟନ−ରଞ୍ଜନ ।

କେତେ ଥର ଦେଖି ତୃପ୍ତ ହୋଇଥିଲା ଚିତ୍ତ

ଦେଖିଲଇଁ ଆଜି ଆହା ଦୃଶ୍ୟ ବିପରୀତ ।

ହାଣି ତାହା ପଦା କିଏ କରିଛି ସେ ସ୍ଥାନ

ଚଉକତି ଚଷି ପୁଣି ବୁଣି ଅଛି ଧାନ ।

ମଝିରେ ଝୁମୁକିଝାଟି ବତା କାଠ ଜାଳ

ପୋତି ଠିଆ କରିଅଛି କୁଟୀର କଙ୍କାଳ ।

ଦେଖି ହେଲା ଦୁଃଖ, ଆସି ଓଳଗିଲା ଚଷା—

“ବାବୁ ତୋଳୁଅଛି ଘର; ଛାମୁତ ଭରସା ।

 

ଶୁଣି ତେର କଥା ମୋର ଜଳିଗଲା ହାଡ଼,

କହିଲି, “ଦୂର ହୋ ମୂର୍ଖ ଅଜ୍ଞାନ ଚୁହାଡ଼ ।

 

(୨)

ଗୃହେ ଫେରି ଗୁମାସ୍ତାକୁ କଲି ତିରସ୍କାର—

“ମୋ ବିନା ଆଦେଶେ କିପାଁ କଲ ଏ ପ୍ରକାର ?”

କହିଲା, “ସଲାମି କର ମିଳିଯିବ କିଛି

ହାତରୁ ରାଜସ୍ୱ ଗଣି ଦେବାକୁ ହେଉଛି ।”

ବିଚାରିଲି, ‘ଏ ଦେଶରେ ନାହିଁ ମନୁଷ୍ୟତା

ନାହିଁ ସୌନ୍ଦର୍ଯ୍ୟର ଜ୍ଞାନ କବିତ୍ୱ କ୍ଷମତା ।’

ଗଲା କିଛିକାଳ ବହି, ଗଲି ମୁଁ ଭ୍ରମଣେ

ଡାକି ନେଲା ସେ କୃଷକ ମୋତେ ତା ଅଙ୍ଗନେ

 

କେତେ ଜାତି ଲତା ବୃକ୍ଷେ ଫଳଅଛି ଫଳ,

ନାରୀ ଏକ ଆଳବାଳେ ଢାଳୁଅଛି ଜଳ ।

କୁଟୀରଅଙ୍ଗନେ ବନ୍ଧା ଗାଈ ଦୁଇ ଚାରି

କୃଷକବାଳିକା ଘରେ ପଢ଼ାଉଛି ସାରୀ ।

କୃଷକର ସାନପୁଅ ରଖି ମେଷଛାଗ,

ଗ୍ରାମଦଣ୍ଡା ଆଡ଼ୁ ଛାଡ଼ିଅଛି ଗ୍ରାମ−ରାଗ ।

 

(୩)

ଅଖା ଖଣ୍ଡେ ଅଣାଇ ସେ, ପିଣ୍ଡାରେ ବିଛାଇ,

ବସିବାକୁ କହିଲା ସେ, କଲି ମୁହିଁ ନାହିଁ ।

ଗାଳିଦେଲା ପୁଅକୁ ସେ—“ବାବୁ ଯେ ପାଠୁଆ

ଅଖା ଆଣିଦେଲୁ ତାଙ୍କ, ଏଡେ ନିବୁଦ୍ଧିଆ ।”

ପିଢ଼ା ଖଣ୍ଡେ ଆଣି ତହୁଁ ଦେଲା ତାର ପୁଅ,

ଧୂଆଁ ପତ୍ର ପିକା ବଳି ଆଣିଲା ତା ଝୁଅ ।

ମୁଣ୍ଡହଲା ଦେଖି ଗଲା ମୋ ମୁଖେ ଅନାଇଁ —

“ମନୁଷ୍ୟ ହୋଇ ଏ ପୁଣି ପିକା ଖାଏ ନାହିଁ ;

ତାର ମନକଥା ଜାଣି ହସି ମନେ ମନେ

ଚାଲିଗଲି ପ୍ରାତ୍ୟହିକ ପ୍ରଦୋଷ ଭ୍ରମଣେ ।

ସୁନ୍ଦର ସଂସାର ସେହି ଦୁଃଖ−କୃଷକର,

ଆଙ୍କିଦେଲା ଚାରୁଚିତ୍ର ପରାଣେ ମୋହର !

ବିଚାରିଲି ଏ ପ୍ରକୃତି ହେଲେହେଁ ସୁନ୍ଦର,

ନୁହେଁ କି ମାନବ−ଗୃହ ମନୋହରତର ?

 

ସଂସାର ଓ ସ୍ୱର୍ଗ

 

“କହ ପ୍ରଭୁ, କହ ତବ ସ୍ୱର୍ଗଧାମ କାହିଁ ?

ସେହି ସ୍ୱର୍ଗପୁର−ସୁଖ ମୁହିଁ ଜାଣେ ନାହିଁ ।

ଅଛି କି ସେ ସ୍ୱର୍ଗଧାମ ବୈକୁଣ୍ଠ ଭୁବନେ ?

ଅବା ପାରିଜାତ− ଫୁଲ−ନନ୍ଦନ−କାନନେ ?

 

ଅମରାବତୀରେ କିବା ଅପ୍‌ସରା−ସେବିତ,

ଅଥବା କୈଳସପୁରେ ଅମର−ବାଞ୍ଛତ୍ର ?

ଅଛଇ ତା ଯୋଗିଜନ ଜ୍ଞାନୋଲ୍ଲ୍ୱଳ−ମନେ,

ଭକ୍ତର ଭକତି−ଧୌତ ହୃଦ−ସିଂହାସନେ ?

ପୃଥୀବୀର ପାପତାପଠାରୁ ବହୁଦୂରେ

ଅଛଇ କି ବହ୍ମଲୋକେ ନିର୍ବିକାରପୁରେ ?

ଗିରିଗୁହା ଘନବନ ସୁମଭ୍ୟସମାଜେ

କହିଦିଅ ସ୍ୱର୍ଗଧାମ କେଉଁଠାରେ ରାଜେ ?

ଭାଳି ସ୍ୱରଧାମ କଥା ପରିଶ୍ରାନ୍ତ ଚିତ୍ତ,

ନିଦ୍ରା−ଅଙ୍କ ଆଶ୍ରି ହେଲି ସ୍ୱପ୍ନବିମୋହିତ ।

ଚକିତେ ଉଦିଲା ଚିତ୍ତେ ସ୍ୱପ୍ନ ବିମୋହିତ,

ସାମାନ୍ୟ କୁଟୀର ଏକ ଚିରପରିଚିତ ।

ଯୋଡ଼ିଏ ଶିଶୁଙ୍କୁ ଘେନି ଶିଶୁଙ୍କ ଜନନୀ,

ବିଷଣ୍ଣପରାଣେ କାଟେ ଦବସରଜନୀ ।

ତରୁଶାଖେ ଆସି ତହିଁ ବିହଙ୍ଗମଗଣ,

ବସି ଗୀତ ଗାଇ କାହିଁ କରନ୍ତି ଗମନ ।

 

ଶିଶୁଏ ପକ୍ଷୀଙ୍କୁ ଦେଖି ହସନ୍ତି ଖେଳନ୍ତି,

ନାନା ଲୀଳା କରି କ୍ଷୁଦ୍ର ଗୃହ ଆଲୋକନ୍ତି ।

ମୁହିଁ ଯେବେ ଚାଲିଯାଏ ସୁଦୀର୍ଘ ପ୍ରବାସେ,

ତିନିହେଁ ଥାଆନ୍ତି ମମ ଆଗମନ ଆଶେ ।

ଉଜ୍ଜ୍ୱଳ ଚନ୍ଦ୍ରମା ଜଳେ ସୁନିଳ ଆକାଶେ,

ମଧୁର ମଳୟ ବହି ଆଣେ ଫୁଲବାସେ;

ମଧୁର ପ୍ରକୃତି ସ୍ନେହୁଁ ଅଧିକ ମଧୁର,

ବିଚାରିଲି ଏହି ତ ମୋ ପ୍ରିୟ ସ୍ୱର୍ଗପୁର ।

 

ସିନ୍ଧୁସଙ୍ଗୀତ

ପାନ୍ଥ—

ଗମ୍ଭୀର ନିର୍ଘୋଷେ ସିନ୍ଧୁ ! କି ବାରତା କହୁ ?

ନିରନ୍ତର ଘୋଷୁଥାଉ, ଦଣ୍ଡେ ତ ନ ରହୁ ।

ଧରାପୃଷ୍ଠେ ମୁଣ୍ଡ ପିଟି, ଫେନ ଉଦ୍‌ଗାରିମ,

କି ବାରତା କହୁ ସିନ୍ଧୁ ! ନିୟତ ଘୋଷିଣ ?

ଚଞ୍ଚଳ ସମ୍ବାଦ ନିଶ୍ଚେ, ଜରୁରୀ ସେ କଥା,

ନୋହିଲେ କିପାଇଁ ସିନ୍ଧୁ ! ପିଟୁଥାନ୍ତୁ ମଥା ?

 

ସିନ୍ଧୁ—

 

ଶୁଣ ହେ ଉତ୍କର୍ଣ୍ଣ ନର ! ମୁଁ ରତ୍ନ−ଆକର,

ଛାଣି ପକା ରତ୍ନରାଶି, ଛାଣି ଜମା କର ।

 

ପାନ୍ଥ—

 

ନାହିଁ ନାହିଁ ସମୁଦ୍ର ହେ ! କି କରିବି ତାହା,

ମୋ ଅମର ଆତ୍ମା ତିଳେ ନ ପରଶେ ଯାହା ?

ଏହି ଶିକ୍ଷା ଦେଇଛନ୍ତି ମୋ ଭାରତ−ମାତା,

ପଇଟାଇ ଚିରଦିନ ଔଦାସୀନ୍ୟ ବ୍ୟଥା ।

 

ସିନ୍ଧୁ—

 

ମିଥ୍ୟା କଥା, ମିଥ୍ୟା କଥା ପୂର୍ବ କୃତିଗଣ

ମୋ ବକ୍ଷେ ନିଃଶଙ୍କଚିତ୍ତେ କରି ବିଚରଣ,

ସିଂହଳ ସୁମାତ୍ରା ବାଲି ବୋର୍ଣ୍ଣିଓ ଦ୍ୱୀପରେ

ବାଣିଜ୍ୟ କରିଣ କେତେ ଧନ ନେଲେ ଘରେ

କେତେ ଧନରତ୍ନ ମଣିମୁକ୍ତା ଆଣି ଦେଶେ

ବିପଣୀବିଥିକା ସାଜି ଦେଲେ ଚିତ୍ରବେଶେ !

ଫେରୁଥିଲେ ଯେବେ ବୀରେ ସ୍ୱଦେଶେ, ସୁବାଳୀ−

ବନ୍ଦାପନା କରୁଥିଲେ ଘେନି ଅର୍ଘ୍ୟସ୍ଥାଳୀ !

ହୁଳହୁଳି ହରିବୋଲେ ଦିଗ ଉଛୁଳାଇ

ଧ୍ୱନି କରୁଥିଲେ ଲୋକେ ତାଙ୍କ ଯଶ ଗାଇ !

 

ପାନ୍ଥ—

 

ବିସ୍ତୀର୍ଣ୍ଣ ସୁନ୍ଦର ସିନ୍ଧୁ ବିଶାଳ ଅମ୍ବର,

ଏକ ସଙ୍ଗେ ବେନି ମିଳି କର କି ପ୍ରଚାର ?

କି ସୁନ୍ଦର ଦିଶେ ଦୂରେ ଚକ୍ରବାଳ−ରେଖା !

କି ବିଚିତ୍ର, କି ବରେଣ୍ୟ, ବିଧି ଚିତ୍ରଲେଖା !

 

ସିନ୍ଧୁ—

 

ଦେଖ ଦେଖ ନର ! ମମ ଅନନ୍ତ ବିସ୍ତାର

ଆସ, ଚାଲି ଆସ, ଚାଣ୍ଡେ ହୁଅ ହେ ବାହାର ।

ବିପୁଳ ବ୍ରହ୍ମାଣ୍ଡେ କେତେ ଦେଶଦେଶାନ୍ତର

କି ଉଦାର, କି ବିଚିତ୍ର, କିବା ମନୋହର ।

ଆସି ଦେଖ, ବିସ୍ଫାରିତ କର ହେ ଅନ୍ତର

ନାରଦୀୟ * ଶ୍ୱେତଦ୍ୱୀପ ଯାତ୍ରା ମନେ କର ।

କରି ଜ୍ଞାନାର୍ଜ୍ଜନ କର ସାର୍ଥକ ଜୀବନ,

ବୃଥା ନ କର ହେ ନର; ସମୟଯାପନ !

 

ପାନ୍ଥ—

 

ହେ ଅନନ୍ତ ସିନ୍ଧୁ ! ତବ ଭୀଷଣ ବିସ୍ତୁତି,

ବାତ୍ୟା−ବିକ୍ଷୋଭିତ ଘୋର ବିପଦ−ସଂହତି !

ଭୟ ହୁଏ ମନେ, ଯେବେ ଯିବ ଏ ଜୀବନ

ସେ ମହାର୍ଘ ଜ୍ଞାନେ ମମ କିବା ପ୍ରୟୋଜନ ?

 

ସିନ୍ଧୁ—

 

ଛି ଛି ! ଭୀରୁ, କେତେ ଦିନ ଧରିବ ଜୀବନ,

ଅମର କି ହେବ ? ନିଶ୍ଚେ ଆସିବ ମରଣ ।

 

* ନାରଦଙ୍କ ଶ୍ୱେତଦ୍ୱୀପ ଭ୍ରମଣ ପୁରାଣରୁ ଦେଖ ।

 

ଦେଖ କେତେ ଜ୍ଞାନବୀର, କର୍ମବୀରଗଣ,

ମୋବକ୍ଷେ ଆମର ନାମ କଲେ ଉପାର୍ଜ୍ଜନ ।

ଲଭିଲେ ମୋ ବକ୍ଷେ ମରି ଅମର ଜୀବନ

ଦିନେ ହେଲେ ମାନବ ହେ ଯିବ ତ ଜୀବନ ।

କର୍ମୀର ମୁହୂର୍ତ୍ତବ୍ୟାପୀ ସୁମହତ ପ୍ରାଣ —

ଅକର୍ମାର ଶତବର୍ଷଠାରୁ ଗରୀୟାନ ! !

 

ନିକୁଞ୍ଜ ଲତା

 

ନିକୁଞ୍ଜ କହଇ ଆଗୋ ଲତା ! ତୋହ ଯୋଗୁଁ ମୁହିଁ ହେଲି ଧନ୍ୟ,

ଲତିକା କହଇ ମୋ ଅସ୍ତିତ୍ୱ ତୋହ କୃପା ବିନା ନୁହେଁ ଅନ୍ୟ ।

ନିକୁଞ୍ଜ କହଇ ମୋର ତନୁ ତୋହ ଯୋଗୁଁ ଶୋଭାଯୁତ ସିନା,

ଲତିକା କହଇ ମୋର ଜନ୍ମ ଅସମ୍ଭବ ତୋ ଅସ୍ତିତ୍ୱ ବିନା ।

ପଡ଼ିଥାନ୍ତି ଅସୁନ୍ଦର ହୋଇ ଉଷର ବୋଲିଣ ପ୍ରାଣିଗଣ,

ଆଦର ତ ନ କରନ୍ତେ କେହି ନ ଚାହାନ୍ତେ କେହି ମୋ ଆନନ ।

ତୋହ ଯୋଗୁଁ ପୁଷ୍ପଫଳ ଯୁକ୍ତ ସୁଷମାସୁବାସଯୁତ ମୁହିଁ

ଆନନ୍ଦ ପ୍ରଫୁଲ୍ଲ ଶାନ୍ତି−ସୁଧା−ପୂର୍ଣ୍ଣ ହୋଇ ଧନ୍ୟ ସିନା ମୁହିଁ ।