Unknown

 

ନୃସିଂହ ପୁରାଣ

ଚତୁର୍ଥ ରତ୍ନାକର

ପୀତାମ୍ୱର ଦାସ

 

ବିଷୟ

 

 

ନୃସିଂହ ପୁରାଣ

ଚତୁର୍ଥ ରତ୍ନାକର

ଆସୀନଂ କମଳାସନେ କମଳାୟା ବକକ୍ଷଃସ୍ଥଳାସୀନୟା,

ବିଦ୍ୟୁଦ୍ଦ୍ୟୋତସଟାସମୁହବିଳସତ୍‌ସୌମ୍ୟନନାମ୍ଭୋରୁହଂ ।

ଜାନ୍ୱୋରର୍ପିତଯୋଗପଟ୍ଟମୁଭୟୋର୍ବାହୁ ଦୃଢାବାୟତୌ,

ହସ୍ତୋଭ୍ୟାଂ ଧୃତଶଙ୍ଖଚକ୍ରମନିଶଂ ଲକ୍ଷ୍ମୀନୃସିଂହ ଭଜେ ।୧।

ନାରାୟଣଂ ନମସ୍କୃତ୍ୟଂ ନରଂଚୈବ ନରୋତ୍ତମଂ ।

ଦେବୀଂ ସରସ୍ୱତୀ ବ୍ୟାସଂ ତତୋ ଜୟମୁଦୀରୟେତ୍‌।୨।

ବେଦେ ରାମାୟଣେ ଚୈବ ପୁରାଣେ ଭାରତେ ତଥା ।

ଆବ୍ୟେ ପ୍ରାନ୍ତେ ଚ ମଧ୍ୟେ ଚ ହରିଃ ସର୍ବତ୍ର ଗୀୟତେ ।୩

ତଂ ବେଦଶାସ୍ତ୍ରପରିନିଷ୍ଠିତ ଶୁଦ୍ଧବୁଦ୍ଧିଂ,ଚର୍ମାମ୍ବରଂ ସୁରମୃନୀନ୍ଦ୍ରନୁତଂ କବୀନ୍ଦ୍ରଂ ।

କୃଷ୍ଣତ୍ୱିଷଂ କନକପିଙ୍ଗଳଜଟାକଳାପଂ,ବ୍ୟାସଂ ନମାମି ଶିରସା ତିଳକଂ ମୁନୀନାଂ।୪।

ନାହଂ ତିଷ୍ଠାମି ବୈକୁଣ୍ଠେ ଯୋଗୀନାଂ ହୃଦୟେ ନ ଚ ।

ମଦ୍ଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ ।୫

 

ବନ୍ଦନା

ଜୟ ଜୟ ଶ୍ରୀନୃସିଂହ ଜୟ ମତ୍ସ୍ୟରୂପୀ

ଜୟ ଜୟ ଶ୍ରୀନୃସିଂହ କୂର୍ମ ବ୍ରହ୍ମବ୍ୟାପୀ ।

ଜୟ ଜୟ ଶ୍ରୀନୃସିଂହ ବରାହାବତାର

ଜୟ ଜୟ ଶ୍ରୀନୃସିଂହ ନ କଳେବର ।

ଜୟ ଜୟ ଶ୍ରୀ ବାମନ ଜୟ ଚତୁର୍ଭୁଜ

ଜୟ ଜୟ ଶ୍ରୀ ନୃସିଂହ ପର୍ଶୁରାମ ଦ୍ୱିଜ ।

ଜୟ ଜୟ ଶ୍ରୀ ନୃସିଂହ ରାମ ଅବତାର

ଜୟ ଜୟ ଶ୍ରୀ ନୃସିଂହ କୃଷ୍ଣ କଳେବର ।

ଜୟ ଜୟ ଶ୍ରୀ ନୃସିଂହ ବଉଦ୍ଧମୂରତି

ଜୟ ଜୟ ଶ୍ରୀ ନୃସିଂହ କଳ୍କି ରୂପଜ୍ୟୋତି ।

ଶ୍ରୀକୃଷ୍ଣ ଯେ ଏକା ରୁଦ୍ର ନୃସିଂହ ଯେ ବ୍ରହ୍ମ।

ଶ୍ରୀନୃସିଂହ ଏକା ବିଷ୍ଣୁ ପୁରୁଷ ଉତ୍ତମ

ନୃସିଂହ ପ୍ରଭୁ ଅଟନ୍ତି ଏକା ପଞ୍ଚଭୂତ।

ନୃସିଂହ ଅଟନ୍ତି ଏକା ଅସୀର ଯେ ତତ୍ତ୍ୱ ।

ଅଟନ୍ତି ନୃସିଂହ ସ୍ୱାମୀ ଏକା ସର୍ବଦେହୀ

ନୃସିଂହ ଉପରେ ବଡ଼ ସଂସାରରେ ନାହିଁ ।

ଜୟ ନୃସିଂହ ସର୍ବଜ୍ଞ ଜୟ ଚିନ୍ତାମଣି

ମହାଲକ୍ଷ୍ମୀ ଶାରଦା ଯେ ତୋର ପାଟରାଣୀ ।

ତୋ ଆଜ୍ଞାରେ ଚନ୍ଦ୍ର ସୂର୍ଯ୍ୟ ହୋନ୍ତି ଆତଯାତ

ତୋ ଆଜ୍ଞାରେ ବସୁମତୀ ପାଳନ୍ତି ଜଗତ ।

ଶ୍ରୀନୃସିଂହ ସ୍ୱାମୀ ସର୍ବଲୋକ ମାତାପିତା

ଶ୍ରୀନୃସିଂହ ସ୍ୱାମୀ ଚତୁର୍ବଗ ମୋକ୍ଷଦାତା ।

ଶ୍ରୀ ନୃସିଂହ ପ୍ରଭୁ ବିନୁ ନାହିଁ ଅନ୍ୟଗତି

ଶ୍ରୀଲକ୍ଷ୍ମୀନୃସିଂହ ସର୍ବ ଅବତାର ମୂର୍ତ୍ତି ।

ଶ୍ରୀମହାଲକ୍ଷ୍ମୀ ନୃସିଂହ ଚରଣେ ମୋ ସେବା

ବିପ୍ର ପୀତାମ୍ବରକୁ ଯେ ଗତି ମୁକ୍ତି ଦେବା ।

 

ଅଲକ୍ଷ୍ମୀ ବିଭା

ଏଥୁଅନନ୍ତରେ ପୁଣ ନାରଦ ଗୋସାଈ

ବିଧାତାଙ୍କ ପାଦେ ନମି ପାଦ୍ୟ ଅର୍ଘ୍ୟ ଦେଇ ।

ବୋଇଲେ ମୁଁ କଥାଏକା ପୁଚ୍ଛିବି ଛାମୁରେ ।

କମଳା ଈଳାକୁ ବିଭା କଲେ ରତ୍ନାକରେ ।

 

ଜ୍ୟେଷ୍ଠକନ୍ୟା ଗୋଟିକ ଯେ କେହିନବରିଲେ

ଏଡ଼େ ଅନୀତି କିମ୍ପାଇଁ ବରୁଣ ଯେ କଲେ ।

ଏକଥା ଆଗ କହିବା ମୋତେ ପିତାମହ

ଅଲକ୍ଷ୍ମୀ କନ୍ୟାକୁ ବିଭା ହୋଇଲାକେ କହ ।

ଶୁଣି ତାହା ବେଦବର ଆନନ୍ଦିତ ହେଲେ

ନୃସିଂହପୁରାଣ ଅର୍ଥ ଶୁଣ ତୁହି ଭଲେ ।

ଶ୍ରୀନୃସିଂହ ବିଭାହେଲେ ଦେବୀ କମଳିନୀ

ଈଳା କନ୍ୟାକୁ ଯଏ ଶେଷହେଲେ ବିଭାପୁଣି ।

ଅଲକ୍ଷ୍ମୀ କନ୍ୟା ନିମନ୍ତେ ସର୍ବଜନେ ଆସି

କନ୍ୟା ଗୁଣ ଦେଖି ସର୍ବେ ପଳାନ୍ତି ଯେ ଖସି ।

ରତ୍ନାକର ଉପ୍ରୋଧରେ ନ କହନ୍ତି କିଛି

ବୋଧ ଦେଇଣ ମାତ୍ରକ ଯାନ୍ତି ସର୍ବେ ଘୁଞ୍ଚି ।

ସେହି ସକାଶେ ଲଜ୍ଜାରେ ରଖିଲେ ବରୁଣ

ସେ କନ୍ୟା ବିବାହ କଥା କହୁଥାଇ ଶୁଣ ।

ବରୁଣ ପାଶେ କହନ୍ତି ବସି ନୀରବତୀ

ଅଲକ୍ଷ୍ମୀ ବିଭା କିପାଁ ନ କଳ ଜଳପତି ।

ପିତାଘରେ କନ୍ୟାଯେବେ ହୁଏ ରଜୋବତୀ

ସପତ ପୁରୁଷଯାଏ ପାଣି ନ ପାବନ୍ତି ।

ପୁରାଣରେ ଏହି କଥା ତୁମ୍ଭେ ଅଛ ଶୁଣି

କି ବିଚାରି ବିଭା ତୁମ୍ଭେ ନକଲ ଦୁଲଣୀ ।

ଅଦିତି ଠାକୁରାଣୀ ଯେ ତୁମ୍ଭର ତ ମାତା

କନ୍ୟାବିଭା କିପାଁ ତାଙ୍କୁ ନୋହିଲାକ ଚିନ୍ତା ।

ନାତୁଣୀକି ବର ଖଞ୍ଜା କାହିଁକି ନ କଲେ

କୁଳବୃଦ୍ଧା ହୋଇ ସେହୁ ତୁନିତ ହୋଇଲେ ।

ଏକଥା ତ ବଡ଼ ନିନ୍ଦା ଅଟେ ସଂସାରକୁ

ଆବର କଥାଏ ମୁହିଁ କହୁଛି ତୁମ୍ଭଙ୍କୁ ।

ଲକ୍ଷ୍ମୀର ପାଶକୁ ସ୍ୱାମୀ ଲେଖିବା ପ୍ରମାଣ

ଜଣାଇବା ସେ ନୃସିଂହ ପ୍ରଭୁ ଛାମୁରେଣ ।

ଆମ୍ଭର ଆତଙ୍କ ଏ ଫେଡ଼ିବେ ଅଚ୍ୟୁତ

ଏ କଥାରେ ଆଉ ଚିନ୍ତା ନ କରହେ କାନ୍ତ ।

କମଳା ଛାମୁକୁ ବେଗେ ଲେଖିବା ଯେ ଲେଖ

ନିଶ୍ଚେ ନୃସିଂହ ଫେଡ଼ିବେ

ଆମ୍ଭ ମନଦୁଃଖ ।

ନୀରବତୀ କଥା ଶୁଣି ବୋଲନ୍ତି ବରୁଣ

ଏକଥା ଗୋଟି ସଖିରେ ଅଟଇ ପ୍ରମାଣ ।

ଲକ୍ଷ୍ମୀର ଛାମୁକୁ ତେବେ ଲେଖିବା ଚିଟାଉ

ସବୁରି ମନର କଥା ଜ୍ଞାତ ମହାବାହୁ ।

ଅଲକ୍ଷ୍ମୀର କଥାଯାକ କମଳିନୀ ଜାଣେ

ରଜୋବତୀ କନ୍ୟା ରଖି ନ ଯୋଗାଇ କ୍ଷଣେ ।

ସାନ କିବା ବଡ଼ ହେଉ ବୋଲି ପ୍ରତିପାଳି

ଏକଥା ପୁରାଣେ ଲିହିଛନ୍ତି ତପଶାଳୀ ।

ପ୍ରଭୁଙ୍କ ଛାମୁକୁ ଲେଖ ସମସ୍ତେ ଶୁଣିବେ

ଲକ୍ଷ୍ମୀ ଛାମୁକୁ ଲେଖିଲେ କେହି ନ ଜାଣିବେ ।

କମଳ ନୃସିଂହ ହେବେ ଗପତେ ଏକଥା

ବର ଖଞ୍ଜା କରିବେ ସେ ଜଗନ୍ନାଥ ଯଥା ।

ପତ୍ନୀର ପାଶେ ଏମନ୍ତ କହି ରତ୍ନାକର

ତାଳପତ୍ର ଲେଖନକୁ ଧରି ନିଜ କର ।

ଶ୍ରୀକମଳା ମାତା ଜଗତର ଠାକୁରାଣୀ

ଆମ୍ଭର ଦୁଃଖ ଜଣାଅ ତୁ ଗୋ ଚକ୍ରପାଣି ।

ଅଲକ୍ଷ୍ମୀ ପାଇଁ ଖଞ୍ଜିବେ ବର ଚକ୍ରଧର

ଶ୍ରୀହରି ପାଶେ ଜଣାଇ ଶୀଘ୍ର ଏହା କର ।

ଏ ସଂସାରର ନିନ୍ଦାରୁ ଗୋ ହେବି ମୁହିଁ ପାରି

ମୋ କଥା ଲାଗିଲା ଜାଣି ତୁମ୍ଭଙ୍କୁ ଗୋ ଶିରି ।

ଏ ଘୋର ଆତଙ୍କୁ ମୋତେ ବହନ ଗୋ ରଖ

ଏରୂପେ ବରୁଣ ରାଜା ଲେଖିଲେ ଶ୍ରୀମୁଖ ।

କରୁଣା ମୁଦୁସୁଲୀକି ପାଶେ ବେଗେ ରାଇ

ବଦରିକା ପୁରେ ଚଳିଯିବୁ ବେଗେ ତୁହି ।

ଏ ଶ୍ରୀମୁଖ ଗୋଟି ଘେନି ବହନ ତୁ ଯିବୁ

ହଂସିନୀ ମୃଦୁସୁଲୀର ହସ୍ତେ ନେଇ ଦେବୁ ।

ହଂସିନୀ ନେଇଣ ଜଣାଇବେ କମଳିନୀ

କମଳା କହିବେ ନୃସିଂହଙ୍କ ଆଗେ ପୁଣି ।

ତେବେ ସେ ଆମ୍ଭର କଥା ଜାଣିବେ ଅଚ୍ୟୁତ

ଶ୍ରୀମୁଖ ଗୋଟିକ ଦେଲେ ମୁଦୁସୁଲୀ ହସ୍ତ ।

ଶ୍ରୀମୁଖ ଧରି କରୁଣା ମୁଦୁସୁଲି ଗଲା

ବଦ୍ରିକାପୁରେ ହଂସିନୀ ହସ୍ତେ ନେଇ ଦେଲା ।

ବେନି ମୁଦୁସୁଲୀ ମିଶି ଲକ୍ଷ୍ମୀ ପାଶେ ଗଲେ

ପିତାଙ୍କ କଥା ଛାମୁରେ ଯାଇଁ ଜଣାଇଲେ ।

ଶୁଣ ମା କମଳା ଜଗତର ଠାକୁରାଣୀ

ଶ୍ରୀମୁଖ ଲେଖି ଅଛନ୍ତି ତୁମ୍ଭ ପିତା ପୁଣି ।

ଏସନ ବୋଲି ହଂସିନୀ ଦେଲା ନେଇ ଲେଖ

ମୁଦ ଭାଙ୍ଗି ମହାଲକ୍ଷ୍ମୀ ପଢ଼ନ୍ତି ଶ୍ରୀମୁଖ ।

ଏସନକ ସମୟରେ ଆସି ଭଗବାନ

କମଳାର ପୁରେ ବିଜେ କରିଲେ ବହନ ।

ଦେଖି ଲେକମାତା କଲେ ଆସନକୁ ତେଜ୍ୟା

ଥୋଇଣ ଶ୍ରୀମୁଖ ତଳେ ପାଦ କଲେ ପୂଜା ।

ପାଦେ ପଡ଼ି ଶୋଇଲେ ସେ ଶ୍ରୀଚରଣ ତଳେ

ତୋଳି ମହାପ୍ରଭୁ ଧଇଲେକ ଆଣି କୋଳେ ।

ଲକ୍ଷ୍ମୀ ବୋଲନ୍ତି ଶୁଣିମା ହେଉ ଦୀନବନ୍ଧୁ

ଆପଣଙ୍କ ନାମ ଗୋଟି ଅଟେ କୃପାସିନ୍ଧୁ ।

ବରୁଣ ରାଜାର ଆମ୍ଭେ ଅଟୁ ତିନି ଜେମା

କମଳା ଈଳା ଆବର ଅଚଟେ ଅଲକ୍ଷମା ।

କନିଷ୍ଠା ଯେ ବେନି ଭଗ୍ନି ବିଭା ହେଲୁ ଆମ୍ଭେ

ଜ୍ୟେଷ୍ଠ କନ୍ୟା ବିଭା ନୋହିଲାକ ବାସୁଦେବେ ।

ବିରୂପା ବଦନ ତାର ଦିଶନ୍ତେ ଅଶୋଭା

ତେଣୁ ସଂସାରେ ନୋହିଲେ ତାକୁ କେହି ବିଭା।

ତିନି ଭଗ୍ନୀ ଜନମିଲୁ ଧରି ତିନି ଅଂଶ

ମୋହର ଜନ୍ମସ୍ଥାନେ ସେ ଥାଆନ୍ତି ଅବଶ୍ୟ ।

ତୁମ୍ଭର ଶ୍ରୀଅଙ୍ଗ ମୁଁ ଅର୍ଦ୍ଧେକ ଯେ ଧରି

ଭୃଗୁ ଋଷିଙ୍କର ଧ୍ୟାନୁ ମୁହିଁ ଅବତରି ।

ତେଣୁ ଭାର୍ଗବୀ ନାମଟି ଅଟଇ ମୋହର

ଲକ୍ଷ୍ମୀବୋଲି ଡାକିଲେକ ଦରୁଣର ପୁର ।

କ୍ଷୀର ସାଗରର ମଧ୍ୟେ ମୁହିଁ ଯେ ରହିଲି

କ୍ଷୀରାବ୍ଧି ସୁତା ବୋଲିଣ ନାମ ବୋଲାଇଲି ।

ତେଣୁକରି ପ୍ରଭୁ ମୁହିଁ ଅଟେ ତୁମ୍ଭ ଅଙ୍ଗ

ତୁମ୍ଭର ଭୋଗ ଯାକଟି ମୋର ଅଟେ ଭୋଗ ।

ଈଳା କନ୍ୟା ଜନମିଲେ ଈଶ ଅଂଶ ଧରି

ବ୍ରହ୍ମ ଅଂଶେ ଜନମିଲେ ଅଲକ୍ଷ୍ମୀ କୁମାରୀ ।

ବେନି ଭଗିନୀକି ବେନିଭାଇ ହେଲଲେ ବିଭା

ଅଲକ୍ଷ୍ମୀର ରୂପ ଦେଖି ନୋହିଲେ କେ ଲୋଭା।

ବରୁଣ ରାଜାର ତୁମ୍ଭେ ହେଲ ଯେଣୁ ବନ୍ଧୁ

ତେଣୁ ଜ୍ୟେଷ୍ଠା କନ୍ୟା ବିଭାକର କୃପାସିନ୍ଧୁ ।

ରତ୍ନାକର ରାଜା କଥା ତୁମ୍ଭଙ୍କୁ ଲାଗଇ

ଏସନ କହି କମଳା ପାଦେ ପଡ଼ି ଶୋଇ ।

ମୋହର ପିତା ତୁମ୍ଭଙ୍କୁ ଲେଖିଲେ ଶ୍ରୀମୁଖ

ଶରଣ ପଶିଲେ ତାଙ୍କୁ ବେଗେ ପ୍ରଭୁ ରଖ ।

ତୁମ୍ଭ ବନ୍ଧୁ ହେଲେ ପରା ସେ ବରୁଣ ରାଜା

ଜ୍ୟେଷ୍ଠ କନ୍ୟା ସକାଶୁଁ ସେ ପାଇଲେକ ଲଜ୍ଜା ।

କନିଷ୍ଠାକୁ ବିଭା କଲେ ଥାଉଁ ଜ୍ୟେଷ୍ଠ ସୁତା

ଅଯୋଗ୍ୟପଣରେ ତାହା ନକଲେ ମୋ ପିତା ।

ଜ୍ୟେଷ୍ଠା କନ୍ୟାକୁ ଆଗସେ କରିଥାନ୍ତେ ବିଭା

ତେବେ ଏହି ସଂସାରକୁ ଦିଶନ୍ତାଟି ଶୋଭା ।

ଏସନକ ବୋଲି ଲକ୍ଷ୍ମୀ ଜଣାନ୍ତି ଛାମୁରେ

ଆବର କଥାଏ କହୁଅଛି ଚକ୍ରଧରେ ।

ଜ୍ୟେଷ୍ଠା ହୋଇ କନ୍ୟାଥିବା ଜାଣ ଯାହାପୁର

କନିଷ୍ଠାକୁ ବିଭା କଲେ ବଡ଼ ଅସୁନ୍ଦର ।

ଦୃଷଣଟି ଏ ସଂସାରେ ତାକୁ ଉପୁଜଇ

ଋଷିମାନେ ପୁରାଣେ ଏକଥା ଛନ୍ତି କହି ।

ଏଣୁ ଜ୍ୟେଷ୍ଠାକନ୍ୟା ଆଗ ପ୍ରଦାନ କରିବ

ପଛେ ଯାଇ କନିଷ୍ଠାକୁ ବିଭାକରି ଦେବ ।

ଏସନ ବିଧାନ ଏକା ଜାଣନ୍ତି ପଣ୍ଡିତେ

ବୁଝିଲେ ଆପଣ ବିଭା ହୋଇଲେ କେମନ୍ତେ ।

ଜ୍ୟେଷ୍ଠାଥାଉଁ କନିଷ୍ଠାକୁ ପିତା ବିଭାଦେଲେ

ତେଣୁ ଜ୍ୟେଷ୍ଠା କନ୍ୟାକୁ ଯେକେହି ନବରିଲେ ।

ଖୁଣଥିବ ବୋଲିକରି ଯାନ୍ତି ଅପସରି

ପିତାଙ୍କର ଚିନ୍ତା ମୋତେ ଲାଗିଲା ଶ୍ରୀହରି ।

ତେଣୁ ମୁହିଁ ଜଣାଉଛି ତବ ପଦ୍ମପାଦେ

ରହିଛି ସଚରାଚର ବ୍ୟାପି ସର୍ବ ହୃଦେ ।

କୋଟି କୋଟି ବ୍ରହ୍ମାଣ୍ଡର ତୁମ୍ଭେ ଅଧିପତି

ତୁମ୍ଭ ଆଶ୍ରିତେ ଅଛନ୍ତି ସପ୍ତଦ୍ୱୀପ ପୃଥ୍ୱୀ ।

ଚନ୍ଦ୍ର ସୂର୍ଯ୍ୟ ନୟନ ଯେ ପବନ ନିଃଶ୍ୱାସ

ଶରୀରର ଲୋମଯାକ ଅଟନ୍ତି ତ୍ରିଦଶ ।

ଆତ୍ମା ସ୍ୱରୂପ ସମସ୍ତ ଜୀବେ ତୁମ୍ଭ ବାସ

ଷଡ଼ରସ ଭୋଗ ଘେନି ହୋଇଣ ପ୍ରକାଶ ।

ଏଣୁ ସମସ୍ତ ଜୀବର ଅଟ ହେ ଠାକୁର

ତେମୁ ସର୍ବଜନ ଚିନ୍ତା ଲାଗେ ଚକ୍ରଧର ।

ଅଜପା ଜପ ମନ୍ତ୍ରରେ ଅଟ ତୁମ୍ଭେ ଗ୍ରାହୀ

ଏକମୂର୍ତ୍ତି ରୂପେ ସତ୍ତ୍ୱ ରଜ ତମ ହୋଇ ।

ବୁଦ୍ଧିଙ୍କ ଉପରେ ତୁମ୍ଭେ ଶ୍ରୀ ଚୈତନ୍ୟ ଅଟ

ପ୍ରାକର୍ମ ଉଦ୍‌ଯୋଗୀ ଅଟ ତୁମ୍ଭେ ଯେ ବଳିଷ୍ଠ ।

ପ୍ରକୃତିଙ୍କର ଈଶ୍ୱର ଅଟ ଆତ୍ମାତତ୍ତ୍ୱୁ

ପରମବ୍ରହ୍ମ ସ୍ୱରୂପ ପରମାର୍ଥ ହେତୁ ।

ଯାବତ ପୁରାଣ ମଧ୍ୟେ ତୁମ୍ଭ ଅର୍ଥ ଏକା

ପ୍ରାଣୀଙ୍କ ପାଇଁ ଅନନ୍ତ ରୂପ ତବ ଶାଖା ।

ପ୍ରଳୟ ଜଳର ମଧ୍ୟେ ମଧୁ ଦୈତ୍ୟମାରି

ମଧୁସୁଧନ ନାମଟି ଧର ଗଦାଧାରୀ ।

ଦଶଅବତାର ହୋଇ ଅସୁରଙ୍କୁ ମାରି

ମୁରକୁ ମାରିଣ ନାମ ବହିବ ମୁରାରି ।

ଯାବତ ଶ୍ରଦ୍ଧାରେ ତୁମ୍ଭ ନାମ ଅଟେ ଶ୍ରଦ୍ଧା

ଆଉ ଯେ ଶ୍ରଦ୍ଧାରେ ନ ଉପୁଜେ କାଳ ବାଧା ।

ହସନ୍ତି ଶୁଣିନ୍ତି ପ୍ରିୟା ବାକ୍ୟ ଭାବଗ୍ରାହୀ

ବୋଇଲେ ବିଭା କରିବି ନିଶ୍ଚେ ସଖି ମିୁହିଁ ।

ପିତାଙ୍କ ପାଶେ ପେଶିବା ଏବେ ଏକଚାର

ବିଭାର ଯୋଗାଡ଼ ଏବେ କରନ୍ତୁ ଶ୍ୱଶୁର ।

ଶୁଣି ଦେବୀ କମଳିନୀ ମନେ ଶ୍ରଦ୍ଧା ବହି

କରୁଣା ମୁଦୁସୁଲୀକି ପାଖକୁ ଡକାଇ ।

ବୋଇଲେ ପିତାଙ୍କ ଆଗେ କହ ଯାଇ ସବୁ

ବର ଗୋଟିଏକ ଖଞ୍ଜି ଦେବେ ମହାପ୍ରଭୁ ।

ବିଭାର ଯୋଗାଡ଼ମାନ ବେଗେ ସେ କରନ୍ତୁ

ତିନିଦିନ ପରେ ବିଭା ହେବ ଜାଣ ତତ୍ତୁ ।

ଶୁଣିଣ ସେ ମୁଦୁସୁଲୀ ବେଗେ ଗଲା ଚଳି

କହିଲା ସବୁ ବରୁଣ ରାଜା ଆଗେ ମିଳି ।

ବିଭାର ଯୋଗାଡ଼ ପ୍ରଭୁ ଶୀଗ୍ର ନିର୍ଭାକର

ନୃସିଂହ ଛାମୁରେ ଲକ୍ଷ୍ମୀ କହିଲେ ଅପାର ।

ତେଣୁ କରି ମହାପ୍ରଭୁ ଯିବେ ବର ଖଞ୍ଜି

କାଲି ଆସି ତୁମ୍ଭ ଆଗେ ହେବେ ସର୍ବେ ରୁଜି ।

ଶୁଣିଣ ବରୁଣ ରାଜା ହୋଇଲେ ଆନନ୍ଦ

ଏଥୁ ଅନନ୍ତରେ ବାମୀ ଶୁଣ ହେ ନାରଦ ।

କମଳା ବଚନ ପାଳି ଚଳିଲେ ନୃସିଂହ

ଉଦ୍ଦାଳକ ଋଷି ପୁରେ ମିଲିଲେକ ବେଗ ।

ଋଷି ମଧ୍ୟରେ ଶ୍ରେଷ୍ଠ ସେ ଅଟନ୍ତି ବିଶେଷ

ତାହାଙ୍କ ଆଶ୍ରମେ ବିଜେ କଲେ ହୃଷୀକେଶ ।

ପ୍ରଭୁଙ୍କୁ ଦେଖି ସେ କଲେ ଆସନକୁ ତେଜ୍ୟା

ଷୋଳ ଉପଚାରେ କଲେ ହରିଙ୍କର ପୂଜା ।

ପୂଜା ପାଇଣ ସନ୍ତୋଷ ହେଲେ ଜନାର୍ଦ୍ଦନ

ବୋଲନ୍ତି ଯେ ସାବଧାନେ ଶୁଣ ତପୋଧନ ।

ତୁମ୍ଭର ସାଙ୍ଗରେ ବନ୍ଧୁ ହୋଇବା କାରଣ

ଆସିଲୁ ଗରୁଡ଼ ଚଢ଼ି ଏହି ତପୋବନ ।

ଆମ୍ଭର ପ୍ରିୟା ଅଟନ୍ତି ଜାଣ କମଳିନୀ

ତାହାଙ୍କର ଜ୍ୟେଷ୍ଠା ଭଗ୍ନୀ ବରୁଣ ଦୁଲଣୀ ।

ତାହାଙ୍କ ନିମନ୍ତେ ଆଜି ବର ହେବ ତୁମ୍ଭେ

ତୁମ୍ଭଙ୍କୁ ଏ ଅନୁରୋଧ କରୁଅଛୁଁ ଆମ୍ଭେ ।

ପ୍ରଭୁଙ୍କ କୋମଳବାଣୀ ଶୁଣି ମହାଋଷି

ସେ ଅମୃତ ବଚନକୁ ଘେନିଲେ ବିଶେଷି ।

ନୃସିଂହଙ୍କ ମୁଖରୁ ଶୁଣି ବିଭା ବାକ୍ୟ

ଆନନ୍ଦ ମନେ କହନ୍ତି ହସି ଉଦ୍ଦାଳକ ।

ବୋଲନ୍ତି ଯେ ସାବଧାନେ ଶୁଣ ଭାବଗ୍ରାହୀ

ତୁମ୍ଭ ଆଜ୍ଞାକୁ ଭାଙ୍ଗିବ କେହି ଦେହବହି ।

ତୁମ୍ଭର ଆଜ୍ଞାରେ ବିଭାହେବା ନିଶ୍ଚେ ଜାଣ

ହେଲେହେଁ ଋଷିଙ୍କ ଏହି କଥା ଅଦୂଷଣ ।

ଶୁଣିକରି ମହାପ୍ରଭୁ ବୋଲୁଛନ୍ତି ବସି

କହିବା ତେବେ ଶୁଣ ହେ ଉଦ୍ଦାଳକ ଋଷି ।

ଏ ସଚରାଚରଯାକେ ଛନ୍ତି ଯେତେ ଲୋକ

ପତ୍ନୀ ନଥିବାରୁ ବିପ୍ରେ ହ୍ୱନ୍ତି ଅପୂଜକ ।

ତାହାଙ୍କୁଟି ନମସ୍କାର କରି ନ ଯୋଗାଇ

ନୃପତିମାନେ ସଭାରେ ବସାଇ ନ ଦେଇ ।

ପତ୍ନୀ ନଥିବା ଲୋକର ମୁଖକୁ ଚାହିଁଲେ

ପୂର୍ବଜନ୍ମ ସୁକୃତଟି ନାଶ ଯାଇ ଭଲେ ।

ଯେତେସେ ଯୋଗୀନ୍ଦ୍ର ହେଲେ କାମନାହିଁ ଛାଡ଼ି

ସ୍ୱପ୍ନେ ବୀର୍ଯ୍ୟ ଖସିଯାଏ ପଦାରେ ଯେ ପଡ଼ି ।

ମାତୃହରଣ ଦୋଷଟି ତାହାକୁ ଲାଗଇ

ତେଣୁ ବିଧାତା ପୃଥ୍ୱୀକି ମାତାବୋଲି କହି ।

ଆହୁରି ଦୋଷକେ ଜାଣ ଅଛି ତପଶୀଳ

ପୁତ୍ର ନଥିଲେ ନରକେ ପଡ଼ଇ କେବଳ ।

ଅଗ୍ନିକା ମହର୍ଷି ଯମପୁରୁ ବାହୁଡ଼ିଲେ

ପୁତ୍ର ନଥିବାରୁ ସେହୁ ମୃଗପତ୍ନୀ କଲେ ।

କୁମାରେକ ଉପୁଜାଇ ଗଲେ ସ୍ୱର୍ଗପୁର

ବ୍ରହ୍ମା ବିଷ୍ଣୁ ହରରୂ କେ ଅଟେ ଯୋଗାରୂଢ଼ ।

ସେହିମାନେ ହୋଇଛନ୍ତି ପତ୍ନୀ ପୁଣି ବିଭା

ସମସ୍ତଙ୍କ ଋଷି ପତ୍ନୀ ସଂସାରେ ଦେଖିବା ।

ବଶିଷ୍ଠ ଅଙ୍ଗିରା ଅତ୍ରି ବ୍ୟାସ ଋଷି ଯାକ ।

କାହାର ବା ପତ୍ନୀ ନାହିଁ ଦେଖି ଉଦ୍ଦାଳକ ।

ଏ କାୟା ଗୋଟି ବହିଲେ ସ୍ତିରୀ ନାହିଁ ଛାଡ଼ି ।

ମାୟାଟି ଏ ସ୍ତିରୀ ଭୋଗ ମୈଥୁନରେ ଜଡ଼ି ।

ସଂସାର ଭିତରୁ ତୁମ୍ଭେ ବାହାର ହେଲ କି।

ଅଭୂଷଣ ପତ୍ନୀ ବୋଲି ବୋଇଲ କାହିଁକି ।

ଉଦ୍ଦାଳକ ବୋଇଲେ ଏ କଥା ଅଟେ ସତ।

ଯାଚିଲା କନ୍ୟାକୁ ବିଭା ନୋହେ ଅପଣ୍ଡିତ ।

ମନେ ମନେ ଏହା ପାଞ୍ଚି ଉଦ୍ଦାଳକ ଋଷି

ଆଜ୍ଞା ଭାଙ୍ଗିଲେ ପ୍ରଭୁର ହେବି ମୁହିଁ ଦୋଷୀ ।

ଏତେ ପାଞ୍ଚି ଶ୍ରୀନୃସିଂହ ପାଦେ କଲେ ସେବା

ବୋଇଲେ ନିଶ୍ଚେ ମୁହିଁ ଯେ କନ୍ୟା ହେବି ବିଭା।

ଶୁଣିଣ ଆନନ୍ଦ ଚିତ୍ତ ହେଲେ ମହାପ୍ରଭୁ ।

ସେ କନ୍ୟା କଥା ତୁମ୍ଭଙ୍କୁ ଲାଗେ ଜଣା ସବୁ ।

ଋଷିଗଣ ସଙ୍ଗେ ଘେନି ଚଳି ତୁମ୍ଭେ ଯାଅ

ତୁମ୍ଭେ ବିଭା ହେଲେ ମୋର ଫିଟିବ ସନ୍ଦେହ ।

ଋଷିଙ୍କୁ ବୋଧି ଗରୁଡ଼େ ବିଜେ କରି ହରି ।

ଲକ୍ଷ୍ମୀର ପାଶେ ମିଳିଲେ ବଦରିକାପୁରୀ ।

କମଳା ପାଶେ କହନ୍ତି ବସି ପୁଣ୍ୟଶ୍ଳୋକ

କାଲି ଯାଇଁ ବିଭା ହେବେ ମୁନି ଉଦ୍ଦାଳକ ।

ଏହା ଶୁଣି ମହାଲକ୍ଷ୍ମୀ ହୋଇଲେ ଆନନ୍ଦ

ଏଥୁ ଅନନ୍ତରେ ବାଣୀ ଶୁଣ ହେ ନାରଦ ।

ଉଦ୍ଦାଳକ ମହାଋଷି ଅସନରେ ବସି ।

ତତକ୍ଷଣେ ସୁମରିଲେ ସକଳ ମହଷି।

ସ୍ୱଆସନ ଟଳିଲାରୁ ଜାଣି ଋଷିପାକ।

ବିଭା ହେବା ନିମନ୍ତେ ଯେ ସୁରେ ଉଦ୍ଦଳକ।

ଉଦ୍ଦାଳକ ପୁରେ ମିଳି ସର୍ବ ମହାଋଷି।

ନାରଦଙ୍କୁ ଦୂତପଣେ ଜଳାଧିପେ ପେଷି ।

ଚଳିଲେ ନାରଦ ଋଷି ରତ୍ନାକର ପାଶ।

ବରୁଣର ପାଶେ ଯାଇ ହୋଇଲେ ପ୍ରବେଶ ।

ବିଭାର ବିଧାନଯାକ କହିଲେ ରାଜାଙ୍କୁ ।

ସିନ୍ଧୁତୀରକୁ ଆସ ଯେ ଘେନିଣ କନ୍ୟାକୁ ।

ଉଦ୍ଦାଳକ ଋଷିଙ୍କି ଶ୍ରୀହରି ଛନ୍ତି ବରି ।

ବହନ ହୋଇ ଚଳିବା କନ୍ୟା ଗୋଟି ଧରି ।

ଶୁଣିଣ ବରୁଣ ରାଜା ଆନନ୍ଦିତ ହେଲେ ।

ନୀରବତୀର ପାଶରେ ସମସ୍ତ କହିଲେ ।

ବୋଇଲେକ ସିନ୍ଧୁତୀରେ କରିବା ଯେ ବିଭା

ଯୋଗାଡ଼ମାନ କରିବା ତହିଁ ନେଇ ନିର୍ଭା ।

କହି ବରୁଣ ଯୋଗାଡ଼ମାନ ହସ୍ତେ ଧରି ।

ନୀରବତୀ ମାତା କନ୍ୟାକୁ ଯେ ବେଶକରି ।

ଚଳିଗଲେ ତତକ୍ଷଣେ ସମୁଦ୍ରର ତୀର

ବିଶ୍ୱକର୍ମାକୁ କହିଲେ ଡାକି ରତ୍ନାକର ।

ଛାୟା ମଣ୍ଡପ ତକ୍ଷଣେ କର ଯାଇ ନିର୍ଭା।

ଏ ସ୍ଥାନେ କନ୍ୟାଗୋଟିକି ପ୍ରଦାନ କରିବା ।

ତତକ୍ଷଣେ ବିଶ୍ୱକର୍ମା ନିର୍ମାଣିଲା ପୁରୀ ।

ରତ୍ନମାଳା ଲମ୍ବାଇଲା ତହିଁ କେରି କେରି ।

ଏଥୁଅନ୍ତେ ମିଳିଲେକ ଆସି ଋଷିଯାକ।

ବରବେଶ କରାଇଲେ ଋଷି ଉଦ୍ଦାଳକ ।

ଦେବକନ୍ୟାମାନେ ଆସି ଦେଲେ ତହିଁ ମିଳି

ମଙ୍ଗଳ ମନାସି ତହିଁ ଦେଲେ ହୁଳହୁଳୀ।

ବାଜଇ ଶଙ୍ଖ ମହୁରୀ ବଂଶୀ ଅଳାବେଣୀ

ମଙ୍ଗଳନାଦରେ ଗୀତ ଗାବନ୍ତି କାମିନୀ ।

ବାଟରେ ବରଣ କଲେ ରତ୍ନାକର ଆସି

ବରହସ୍ତ ଧରି ବେଦୀପରେ ଯାଇ ବସି ।

ଆଶିଷ ମନ୍ତ୍ର କାଣ୍ଡିକ ବଶିଷ୍ଠ ଯେ ପଢ଼ି।

ବେଦୀ ଉପରେ ବସିଲେ ଋଷିମାନେ ବେଢ଼ି ।

ବରୁଣ ପୂଜା ସାରିଣ ସଙ୍କଳପ କଲେ।

ଗନ୍ଧାଧିବାସ କରିଣ ବୈଶାଲା ପୋତିଲେ ।

ବିଭାର ବିଧି ଯେତେକ ସବୁ ହେଳେ କରି

ମଧୁପର୍କ ଆଚମନ ଲବଣ ଚଉଁରୀ ।

ବରର ପାଲଟା ଶାଢ଼ୀ କନ୍ୟା ପିନ୍ଧାଇଲେ

ଅସରଳ ସୂତା ବାନ୍ଧି ବସୁଧାରା ଦେଲେ ।

ଯଜ୍ଞୋପବୀତ ପିନ୍ଧିଣ ଋଷି ଉଦ୍ଦାଳକ।

ମୁକୁଟ ଶିରେ ବାନ୍ଧିଣ ହେଲେ ଅଭିଷେକ ।

ଛାୟାମଣ୍ଡପର ବେଦୀ ପରେ ଯାଇଁ ବସି ।

ମହାବାକ୍ୟ ପଢ଼ନ୍ତି ଯେ ବଶିଷ୍ଠ ମହର୍ଷି ।

ଶ୍ରୀ ବରୁଣ ମହାରାଜା କନ୍ୟା କୋଳେ ଧରି

ହସ୍ତଗ୍ରନ୍ଥି ବାନ୍ଧିଲେକ ବଶିଷ୍ଠ ଆଚାରୀ ।

ବେନିଗୋତ୍ର ଉଚ୍ଚାରିଣ ଶଙ୍ଖେ ଦେଲେ ଜଳ ।

ହସ୍ତଗ୍ରନ୍ଥି ଫେଡ଼ିଲେକ ବଶିଷ୍ଠ ସୁଶୀଳ ।

କଟମସିଣା ଉପରୁ କନ୍ୟା ଉଠାଇଲେ ।

ବରର ବାମଭାଗରେ କନ୍ୟା ବସାଇଲେ ।

ତହିଁ ଉତ୍ତାରୁ ଯେ ପୁଣ କରାଇଲେ ହୋମ

ଖୁଶାଣ୍ଡି ବିଧି କରିଣ ଜାଳି ହୁତାଶନ ।

ଲାଜାହୋମ ସାରି ପୁଣି ଜୁଆ ଖେଳାଇଲେ

ବରୁଣ ରାଜା ଅନେକ ଯଉତୁକ ଦେଲେ ।

ବରକନ୍ୟାକୁ ବନ୍ଦାଇ ନୀରବତୀ ରାଣୀ

ଠାଆ ସଜରେ ଅମୃତ ପରଶିଲେ ଆଣି ।

ଭୁଞ୍ଜିଣ ଯେ ବରକନ୍ୟା ହୋଇଲେ ସନ୍ତୋଷ

କରନ୍ତି ସମସ୍ତ ଋଷିଗଣେ ବସି ଗ୍ରାସ ।

ବ୍ରହ୍ମା ପରଚିନ୍ତି ଭାଣ୍ଡୁ ଅମୃତ ଯେ ଆଣି ।

ଭୁଞ୍ଜିଣ ସନ୍ତୋଷ ହେଲେ ସର୍ବ ଋଷି ପୁଣି ।

ଏଥୁ ଅନନ୍ତରେ ରାତ୍ର ହ୍ୱନ୍ତେ ଆସି ତହିଁ ।

ମଧୁ ଶଯ୍ୟାରେ ଶୋଇଲେ ବର କନ୍ୟା ଯାଇ ।

ଚଉଠି ଆଦି ସପତ ମଙ୍ଗଳା ଯେ କଲେ

ସମସ୍ତ ଋଷି ଯେ ଯାହା ପୁରେ ଚଳିଗଲେ ।

ବ୍ରହ୍ମାଏ ବୋଇଲେ ଶୁଣ ଆହେ ରତ୍ନାକର ।

ସର୍ବଦିନେ ଜାଣ ଥିବ ତୋର ଏହି ପୁର ।

ତ୍ରେତାଯୁଗରେ ଶ୍ରୀରାମ ହେବେ ଅବତାର।

ସୀତାକୁ ହରଣ କରି ନେବ ଦଶଶିର ।

ମରୁତ ରାଜାର ଶାପେ ବାତୁଳ ଶ୍ରୀରାମ ।

କୁଶଶଯ୍ୟା କରି ବସିବେକ ପରଂବ୍ରହ୍ମ ।

ସେତୁବନ୍ଧ ପକାଇଣ ସର୍ବେ ହେବେ ପାରି

ସୁବଳ ପର୍ବତେ ରହିବେକ ସବୁ ଋକ୍ଷ ହରି ।

ରାବଣକୁ ମାରି ରାମ ସୀତାଙ୍କୁ ଆଣିବେ ।

ଅଯୋଧ୍ୟାପୁରପକୁ ଯାଇ ଅଭିଷେକ ହେବେ ।

ଏ ସ୍ଥାନେ ବାଳୁତ ଭାବ ଶ୍ରୀରାମର ଯିବ ।

ରାମେଶ୍ୱର ଏ ସ୍ଥାନରେ ପୂଜିବେ ରାଘବ ।

ଏତେ କହି ବ୍ରହ୍ମା ଚଳିଗଲେ ନିଜ ଦେଶ ।

ଉଦ୍ଦାଳକ ଗଲେ ପୁଣ ବରୁଣର ପାଶ ।

ବୋଇଲେ ଆମ୍ଭେ ତ ଏବେ ଯାଉଅଛୁ ଚଳି

ରତ୍ନାକର ବୋଇଲେକ ଶୁଣ ତପଶାଳୀ ।

ଦୁହିତାର ଦଶଦ୍ୱୋଷ କରିବାକ କ୍ଷମା।

ବ୍ରାହ୍ମଣ ପଦକୁ ତୁମ୍ଭେ ଅଟ ଦ୍ୱିତୀବ୍ରହ୍ମା ।

ଉଦ୍ଦାଳକ ବୋଇଲେ ଯେ ଶୁଣ ରତ୍ନାକର

ମଧୂଶଯ୍ୟାରେ ଚିହ୍ନିଲି ସବୁ ଦୁହିତାର ।

ନୃସିଂହ ଆଜ୍ଞା ଅମୃତ ପ୍ରାୟ ମୁହିଁ ମଣି ।

ବିଭା ହୋଇଲି ନ ଦେଖି ତୁମ୍ଭର ଦୁଲ୍ଲଣୀ ।

ସେ ଯାହା ଅଦୃଷ୍ଟ ନିଶ୍ଚେ କରିବ ସେ ଭୋଗ

ପତ୍ନୀଠାରେ ଗୃହସ୍ଥର ନ ଥାଏ କି ସ୍ୱାଗ ।

ତୁମ୍ଭ ଦୁହିତା ଗୁଣ କି ନାହିଁ ତୁମ୍ଭେ ଜାଣି

ଅଧିକ କଥା କହିବି ଆଉ କିସ ପୁଣି ।

ଏତେ କହି ଉଦ୍ଦାଳକ ମେଲାଣି ହୋଇଲେ ।

କନ୍ୟାକୁ ଘେନି ଆପଣା ପୂରରେ ମିଳିଲେ ।

ଉଦ୍ଦାଳକ ଗଲାରୁ ସେ ବରୁଣ ଯେ ଗଲେ।

ଜଳାଶୟ ପୁରେ ଯାଇ ପ୍ରବେଶ ହୋଇଲେ ।

ଏଥୁ ଅନନ୍ତରେ ବାଣୀ ଶୁଣ ହେ ନାରଦ ।

ଉଦ୍ଦାଳକ ପତ୍ନୀଙ୍କର ଯେବଣ ସମ୍ବାଦ ।

ନିଜ ଆଶ୍ରମେ କରନ୍ତି ଘେନି ଗୃହବାସ।

ଅଲକ୍ଷ୍ମୀଙ୍କି ସେହି କଥା ଲାଗେ ଜାଣ ବିଷ ।

ପ୍ରାତଃକାଳରୁ ଆହ୍ନିକେ ଯାନ୍ତି ମହାମୁନି।

ଘୃତ ହୋମ କରି ନିତି ପୂଜନ୍ତି ଯେ ଅଗ୍ନି ।

ସେ କଥାମାନ ଦେଖିଣ ଉଦ୍ଦାଳକ ନାରୀ

ଶରୀର ଘାଣ୍ଟି ହୋଇଣ ହୁଅଇ ବିଦାରି ।

ଏସନକ ରୀତିରେ ଯେ ଗଲା କେତେଦିନ।

ପୁତ୍ର ଦୁହିତା ଯେ ବେନି ହେଲେ ତହୁଁ ଜନ୍ମ ।

ଦେଖିଣ ଅପୂର୍ବ ଗୁଣ ସେହି ଦୁହିଁଙ୍କର।

ପୁତ୍ର ନାମ ବାଇଧର ଦେଲେ ମୁନିବର ।

ଦୁହିତାର ନାମ ଦେଲେ ଅଲିଅଳ ପଦ୍ମା ।

ଶୁଣ ହେ ନାରଦ ଯେ କହନ୍ତି ବେଦବ୍ରହ୍ମା ।

ଦକ୍ଷ ପ୍ରଜାପତିଙ୍କ ଷାଠିଏ ଦୁହିତାରୁ।

ତୋର କନ୍ୟା ବିଭାହେଲେ କଶ୍ୟପ ଆଦ୍ୟରୁ ।

ସେ ତେର କନ୍ୟାଙ୍କ ମଧ୍ୟେ ବାଳକନ୍ୟାବେଦୀ

କାଳମୁଖୀ ବୋଲି କନ୍ୟା ଥିଲାକ ପ୍ରସିଦ୍ଧି।

ବାଇଧରକୁ ଯେ ବିଭା କଲେ ସେ କନ୍ୟାକୁ ।

ଅପଶିଖକୁ ଯଏ ଦେଲେ ଅଲ୍ୟଳ ପଦ୍ମାକୁ

ପୁତ୍ର ଦୁହିତାକୁ ବିଭା କଲେ ଉଦ୍ଦାଳକ।

ଶ୍ରୀବିଷ୍ଣୁଙ୍କ ପୂଜା ସେହୁ କରନ୍ତି ଅନେକ ।

ଷୋଡ଼ଶୋପଚାରେ ସେହି ପୂଜାବିଧି କରି ।

ନିତି ଦାନ ଆହୁତି ଯେ ଦ୍ୟନ୍ତି ତପଚାରୀ ।

ହୋମ ଯଜ୍ଞ ପୂଜା ଦେଖି ସାଗରର ସୂତା

ବାନ୍ତି ଓଛାଳ କରିଣ ମଣେ ବିଷପିତା ।

ଋଷିଙ୍କ ମନ୍ଦିରେ ଶୁଣନ୍ତେ ସେ ବେଦଧ୍ୱନି ।

ଅନୁବ୍ରତେ ବସିକରି କାନ୍ଦଇ କାମିନୀ ।

ଦୋହରା ଅଗ୍ନିଙ୍କର ଯେ ଘୃତ ଗନ୍ଧବାସେ ।

ବାନ୍ତି ଓଛାଳ କରିଣ ଗୃହରେ ନ ପାଶେ ।

ଋଷିଙ୍କ ମନ୍ଦିର ଯାକ ଅସଂସ୍କର କରେ ।

ଘରୁ ବାହାର ହୋଇଣ ବୁଲଇ ଦାଣ୍ଡରେ ।

ଘର ହାନି ଲାଭ ଲୋକଙ୍କର ଆଗେ କହି।

ବାଇଙ୍କର ପ୍ରାୟେ ହୋଇ ଛିଡ଼ା ହୋଇଥାଇ ।

ନୀଚ ଲୋକଙ୍କର ସଙ୍ଗେ ହେଉଥାଇ କଥା ।

ଭଲ ଲୋକ ଦେଖିଲେ ଯେ ନ ପାତଇ ମଥା ।

ଅଲାଜୁକ ପଣରେ ଯେ ହସେ କର କର।

କାକପକ୍ଷୀ ପ୍ରାୟ ସେହୁ ଚାହେଁ ନିରନ୍ତର ।

କେତେକାଳର ସେ ଅବା ଅଟେ ବୃଦ୍ଧାସ୍ତିରୀ ।

କେନ୍ଦୁକାଠ ପ୍ରାୟ ଦିଶେ ଶରୀର ତାହାରି ।

ମାଙ୍କଡ଼ାପଥର ପ୍ରାୟ ତାର ଦେହ ଭାବ।

ଦେହକୁ ଆଉଁସି ଦେଲେ ହସ୍ତ ଛିଡ଼ି ଯିବ ।

ଲୌହ ପ୍ରତିମା ପରାୟ ଦିଶେ ସେହୁ ଶୋଭା

ଦେହ ଅନୁରୂପ ତାର ଶ୍ରୀମୁଖର ପ୍ରଭା ।

ପିଙ୍ଗଳ ବରନ କେଶ ଅଟେ ଲମ୍ବ କର୍ଣ୍ଣ ।

ରକ୍ତବର୍ଣ୍ଣ ପ୍ରାୟେ ଦିଶେ ତା ବେନି ନୟନ ।

ଦୋପଖା ଚୂଲୀର ପ୍ରାୟ ଦିଶେ ନାସାପୁଡ଼ା

ଅଧର ବର୍ଣ୍ଣ ଦିଶଇ ଯେହ୍ନେ ଦରପୋଡ଼ା ।

ହରିଦ୍ରା ବର୍ଣ୍ଣ ପରାୟ ଦିଶେ ଦନ୍ତପନ୍ତି।

ଲଙ୍ଗଳଲୁହା ପ୍ରାୟେକ ଜିହ୍ୱାର ଆକୃତି ।

ବଚନ କହୁଥିଲେ ସେ ବ୍ୟାଘ୍ର ପ୍ରାୟ ବୋବି।

ଡରିକରି ପାଶେ କେହି ନ ରହନ୍ତି ଭୁବି ।

ଅଳଙ୍କାର ପିନ୍ଧିଲେ ସେ ଦିଶେ ଅସୁନ୍ଦର

ଚରଣ ବେନି ତା ଲମ୍ବ କ୍ଷୁଦ୍ର ଅଟେ କର ।

ଖଚର ପ୍ରାୟ ତା ବୋବି ଓଟ ପ୍ରାୟ ଚାଲି ।

ମନକଲେ ଚଉଦିଗ କ୍ଷଣେ ପାରେ ବୁଲି ।

ମଶାଣି ଭୂମିଯାକ ସେ ବୁଲେ ଶ୍ରଦ୍ଧା କରି ।

କାଠ ଗୋଟିଆଇ ନେଇ ଚୂଲିରେ ସେ ଭରି ।

ଅନ୍ନ ବ୍ୟଞ୍ଜନଯାକ ସେ କାଠେ ଦିଏ ରାନ୍ଧି।

ଋଷି ଆସି ତିଆରିଲେ ଦାଣ୍ଡେ ବସି କାନ୍ଦି ।

ଘରର ହାନି ଲାଭ ସେ କିଛିହିଁ ନ ଜାଣି।

କ୍ରୋଧ ହୋଇଣ ସେ କଥାକହେ କୋପେ ପୁଣି।

ପତ୍ନୀର ଏ ଅବିବେକ ଦେଖି ଉଦ୍ଦାଳକ।

ପାଶେ ବସାଇ ତିଆରି କହନ୍ତି ଅନେକ ।

ବୋଲନ୍ତି ଘର ମହତ୍ତ୍ୱ ଅଟଇ ଯେ ନାରୀ।

ଦାଣ୍ଡରେ ତୁ ବୁଲୁଅଛୁ ଲଜ୍ଜା ତ୍ୟାଗକରି

ଦୋହରା ଘରେ ପକାଉ ମଶାଣିର କାଠ।

ତିଆରି କହିଲେ ପୁଣି ବସି ହେଉ ରୁଷ୍ଟ ।

କେଶ ମୁକୁଲା କରିଣ ଦାଣ୍ଡେ ବୁଲୁଥାଉ।

ମେଷ ବୋଦା ହାଣିବାର ସ୍ଥାନେ ଛିଡ଼ା ହେଉ ।

ବାହାରର ହାଣ୍ଡି ଆଣି ଭିତରେ ପୁରାଉ।

ନୀଚ ଲୋକଙ୍କ ଛୁଇଁଣ ବସନ ନ ଧୋଉ ।

କି କି ଅବିଛଣ ତୁହି ଦେଖିଲୁ ମୋ ଗୃହେ ।

ସଂସାରରେ ମୋତେ ନିନ୍ଦା କଲେ ଅପ୍ରମେୟେ।

ପତି ମୁଖରୁ ଏସନ ବାକ୍ୟ ଦେବୀ ଶୁଣି।

ବୋଇଲେ ହେ ଋଷି ଶୁଣ କହିବି ଯେ ପୁଣି ।

ତୁମ୍ଭର ଗୃହରେ ହୋମ ଘୃତଧୂମବାସେ।

ସେହି ବାସନା ଆସିଣ ଲାଗିଲେ ମୋ ନାସେ ।

ଶରୀରରେ ଲାଗି ମୋର ହୁଅଇ ବିକଳି ।

ବେଦଧ୍ୱନି ଶୁଣିକରି ମରୁଥାଇ ଭାଳି ।

ଯେବଣ କଥା ମୋହର ଅଟେ ପ୍ରାଣପ୍ରିୟ।

ସେ କଥାମାନ କହୁଛି ମୁହି ଶୁଣିଥାଅ ।

ଯେବଣ ଗୃହେ ଉପୁଜେ ନିତ୍ୟ ଜାଣ କଳି।

ଝୁଙ୍କାଝୁଙ୍କି ହୋଇ ଲାଗିଥାନ୍ତି ବାରୁଆଳି ।

ମନ୍ଦିରଟି ଅସଂସ୍କାର ଦେଖେ ଯାର ଘର ।

ସେ ସ୍ଥାନଟି ମୋତେ ସୁଖ ଲାଗେ ମୁନିବର ।

ପତି ପୁତ୍ର ଭାରିଯା ଯେ ଦାସଦାସୀ ବହୁ ।

କଳି ଦ୍ୱନ୍ଦ ଲାଗୁଥିଲେ ମୋତେ ସୁଖ ସେହୁ ।

ଶକଟା ପଶା ଜୁତା ଯେ ମିଥ୍ୟା କଥା ଯହିଁ ।

ସେ ସ୍ଥାନ ଅମୃତପ୍ରାୟ ମୋତେ ଯେ ଲାଗଇ ।

ସୁଜନ ସାଧୁଙ୍କୁ ସେହୁ ଅନୁକ୍ଷଣେ ନିନ୍ଦେ

ଆପେ ଆପେ ପ୍ରଶଂସିଣ ଆପେ ଆପେ ବନ୍ଦେ।

ସମସ୍ତ ଜୀବଙ୍କୁ ପୁଣି କରଇ ଯେ ହିଂସା।

ଏମନ୍ତ ସ୍ଥାନମାନଙ୍କେ ଅଟଇ ମୋ ବସା ।

ଆମିଷ ଦୁର୍ଗନ୍ଧମାନ ଯେଉଁ ସ୍ଥାନେ ପୋଡ଼ା।

ମେଷ ଗୋ ମହିଷ ହଣା ସ୍ଥାନ ଯହିଁ ଲୋଡ଼ା ।

ସେହି ସ୍ଥାନମାନଙ୍କରେ ମୋର ଥାଇ ମନ ।

ଯହିଁରେ ମନ ନଥାଇ ଶୁଣ ତପୋଧନ ।

ବେଦର ବଚନ ଯହିଁ ହୁଏ ନୃତ୍ୟଗୀତ।

ସେ ସ୍ଥାନମାନଙ୍କେ ମୋର ନ ବଳଇ ଚିତ୍ତ ।

ସୁମଙ୍ଗଳ ସୁବିଧାନ ବାଜେ ବାଦ୍ୟ ଯହିଁ ।

ତାହା ଶୁଣିଲେଟି ଜାଣ କମ୍ପେ ମୋର ଦେହୀ ।

ସୁଜନ ସୁପୁରଷ ସୁବିଘ୍ନବନ୍ତ ନାରୀ।

ଅପୂର୍ବ ସୌନ୍ଦ୍ରଯ୍ୟ ରୂପବତୀ ମନୋହାରୀ ।

ଯେବଣ ସ୍ଥାନରେ ମୁହିଁ ଦେଖଇ ପବିତ୍ର।

ସୁବେଶ ବେଶ ଯେ ନିତ୍ୟ କରୁଥାଉଁ ଗାତ୍ର।

ସୁବେଶ ସୁଗୃହବାସ ଦେଖେ ମୁହିଁ ଯହିଁ ।

ହବିଷ୍ୟ ଅନ୍ନମାନ ଯେ ଦେବଗୃହେ ହୋଇ ।

ଯେହୁ ତୀର୍ଥ ବୁଲି ଦେବ କରଇ ଦର୍ଶନ ।

ଜାତି ପୁଷ୍ପ ମଣ୍ଡିହୋଇ ଯେ ଘେନେ ଚନ୍ଦନ ।

ତୁମ୍ଭର ଗୃହରେ ଘୃତ ବାସନା ଯେ ରସ

ଏମାନ ଲାଗିଲେ ମୁହିଁ ମଣଇ ତା ବିଷ ।

ସେ ବାସନା ଲାଗି ମୋର ବାନ୍ତିହୋଏ ଦେହ

ବେଦଧ୍ୱନିକି ଶୁଣିଲେ ଲାଗେ ମୋତେ କୋହ ।

ଗରୁଡ଼ ଦେଖି ପଳାନ୍ତି ଯେହ୍ନେ କାଳ ସର୍ପ ।

ସେହିରୂପେ ଭାଜିଲାଣି ଏବେ ମୋର ଦର୍ପ ।

କୁ ସ୍ଥାନେ ବାସ କରିବ ଯାଇ ଏବେ ତୁମ୍ଭେ ।

ଦୁହେଁ ମିଶିଣ ରହିବା ଜାଣ ଚାଲ ଆମ୍ଭେ ।

ଏ ରୂପେ ସ୍ୱାମୀର ଆଗେ କହଇ ତରୁଣୀ

ମନରେ ଚିନ୍ତା କଲେକ ଋଷି ତାହା ଶୁଣି ।

ବୋଇଲେ ଏ ସ୍ତିରୀପ୍ରାୟ ପତ୍ନୀ ଯେବେ ଥିବ।

କୁଳକୁ କଳଙ୍କ ହୋଇ ଭସ୍ମ କରିଦେବ ।

ସୁତ ବିତ୍ତ ଧର୍ମ ପୁଣ୍ୟ କରି ସବୁ କ୍ଷୟ ।

ଏ ସ୍ତିରୀ ଥିଲେ ଗୃହରେ ନୁହେ ମୋର ଜୟ ।

ବାଇ ବାତୁଳୀଙ୍କଠାରୁ ଅଟେ ଏ ନିର୍ଲ୍ଲଜ ।

ଏହାର ସଙ୍ଗତେ ମୋର ନାହିଁ ଆଉ କାର୍ଯ୍ୟ ।

ଏସନକ ମନମଧ୍ୟେ ପାଞ୍ଚି ମହାମୁନି।

ବୋଇଲେ କହିବା ଏବେ ଶୁଣରେ କାମିନୀ ।

ଏସ୍ଥାନ ସୁଖ ନୋହିଲା ଜାଣ ଯେବେ ତୋତେ

କୁସ୍ଥାନରେ ବାସ ଯାଇ କରିବା ନିଶ୍ଚିନ୍ତେ ।

ଅଗମ୍ୟ ସ୍ଥାନକୁ ଯାଇ ରହିବା ବନରେ ।

ଶୁଣିଣ ବରୁଣ ଜେମା ଉଠିଲେ ତତ୍ପରେ ।

ପୁତ୍ରବଧୂ ବେନିଙ୍କୁ ଯେ ସଙ୍ଗତରେ ଘେନି ।

ଅଗମ୍ୟ ବନେ ମିଳିଲେ ଯାଇ ପତି ପତ୍ନୀ ।

ସେ ଦିନ ହୋଇଅଛି ଯେ ଶନିଶ୍ଚର ବାର।

ମିଳିଲେ ଅଶ୍ୱତ୍ଥ ବୃକ୍ଷମୂଳେ ମୁନିବର ।

ବୋଇଲେ ଏଠାରେ ବାସ କରରେ କାମିନି

ଯାଉଛୁ ତୁମ୍ଭର ପାଇଁ ଭକ୍ଷ୍ୟ ଆମ୍ଭେ ଆଣି ।

ଏ ରୂପେ କହିଣ ଋଷି ଚଳିଲେ ବହନ ।

ନିଜ ଆଶ୍ରମେ ମିଳିଲେ ଯାଇ ତପୋଧନ ।

ବୃକ୍ଷମୂଳେ ଯାଇ ବସି ବରୁଣଦୁଲଣୀ ।

ସ୍ୱାମୀକି ସେ ଅନୁସରି ବିଚାରଇ ପୁଣି ।

ବାଳ ଆଦିତ୍ୟ ପରାୟେ ବୁଲାଏ ନୟନ।

କୋପଦୃଷ୍ଟି କରିଣ ସେ ହୁଏ ଛନ୍ନ ଛନ୍ନ ।

ଦଶ ଦିଗକୁ ଚାହିଁଣ କରେ ଏକ ଦୃଷ୍ଟି ।

ସ୍ୱାମୀକି ନ ଦେଖି ମନେ ହୁଏଅ ମନକଷ୍ଟି ।

ବସିଲା ଅଷ୍ଟମ ଦିନ ଯାଏ ଅନ ସରି।

ଲେଉଟି ଯେ ଶନିବାର ହେଲା ଆସିକରି ।

ତୃଷା କ୍ଷୁଧାଭରେ ସେହି ଦିଏ ଘୋରରଡ଼ି ।

କାନ୍ଦେ ଉଚ୍ଚସ୍ୱରେ ଭୂମିପରେ ଗଡ଼ି ଗଡ଼ି ।

ବ୍ୟାଘ୍ର ଭଲ୍ଲୁକର ପ୍ରାୟ ଘୋର ଶବ୍ଦ କରେ

ପତିକୁ ନ ଦେଖି ସେହୁ କାନ୍ଦେ ଉଚ୍ଚସ୍ୱରେ ।

ଚଉଦ ଭୁବନଯାକ କମ୍ପିଲେ ତା ଶୁଣି।

ଚମକି ରୋଦନଘାତେ ପଡ଼ିଲେ ଧରଣୀ ।

ବଦରିକା ପୁରକୁ ସେ ଶବ୍ଦ ଗଲା ଶୁଭି ।

ଭଗ୍ନୀ ଯେ କାନ୍ଦିଲେ ବୋଲି ଜାଣିଲେ ଭାର୍ଗବୀ।

ପ୍ରତ୍ୟକ୍ଷ୍ୟେ ଅଟନ୍ତି ଦେବୀ ଜଗତର ମାତା ।

ଭଗିନୀ କାନ୍ଦଣା ବୋଲି ଜାଣି ଭୃଗୁସୁତା

ଶ୍ରୀନୃସିଂହ ପ୍ରଭୁଙ୍କୁ ଯେ କହନ୍ତି ସେ ଯାଇ

ବୋଇଲେକ ସାବଧାନେ ଶୁଣ ଭାବଗ୍ରାହୀ ।

ପାଇଲା ମୋହର ଜ୍ୟେଷ୍ଠଭଗ୍ନୀ ବଡ଼ କଷ୍ଟ।

ସମ୍ଭାଳି ନପାରି ମୁନି ହେଲେ ମହାରୁଷ୍ଟ ।

ବନସ୍ତ ଭିତରେ ଆଣି ଛାଡ଼ିଦେଇ ଗଲେ ।

ମରିବ ସେହୁ ବ୍ୟର୍ଥରେ ତୁମ୍ଭେ ତ ନ ଗଲେ ।

ମୋହର ସମାନ ତାକୁ ଅଧିକାର ଦେଇ ।

ରଖ ଯେଣୁ ଜ୍ୟେଷ୍ଠ ଭଗ୍ନୀ ଅଟେ ମୋର ସେହି।

ଏହା ଶୁଣି ମହାପ୍ରଭୁ ହୋଇ ହସ ହସ ।

ଗରୁଡ଼ କନ୍ଧେ ବିଜୟ କଲେ ହୃଷୀକେଶ ।

ଜ୍ୟେଷ୍ଠା କନ୍ୟା ପାଶେ ଯଆଇ ମିଳି ଦେବରାଜ।

ଦେଖି ଉଦ୍ଦାଳକ ନାରୀ ପାଇ ମନେ ଲାଜ ।

ବୃକ୍ଷର ଉହାଡ଼େ ଯାଇ କାନ୍ଦିଣ ବସିଲେ ।

କାନି ପଣନ୍ତକୁ ଦେଇ ମୁଖ ଗୋଡ଼ାଇଲେ ।

ଲପନ ବକ୍ର କରିଣ ବଚନ କହଇ ।

ବୋଲେ କେତେ କଷ୍ଟ ପାଇଲି ମୁଁ ଭାବଗ୍ରାହୀ ।

ତୁମ୍ଭପରା ବନ୍ଧୁ ଥାଉଁ ହେଲି ହୀନମାନ ।

ଗରୁସ୍ତ ତେଯ୍ୟା କରିଣ ଗଲେ ଘୋରବନ ।

ଏସନ ପୁରୁଷର ମୁଁ ଥିଲି ହସ୍ତ ଧରି।

କେତେ ଚମ୍ପା ଚଢ଼ାଇ ମୁଁ ଥିଲି ତ୍ରିପୁରାରି ।

ତେଣୁକରି ବନବାସ ହୋଇଲା ମୋହର ।

ଛାମୁରେ କହିବି ଆଉ କେତେ ଚକ୍ରଧର ।

ମହାପ୍ରଭୁ ବୋଇଲେ ହେ କହିବା ଗୋ ଶୁଣ ।

ଆମ୍ଭ ବାନା ଗୋଟି ଉଡ଼େ ଏ ସଂସାରେ ପୁଣ ।

ଚଉଦପୁର ଯାକରେ ମୋର ଅଧିକାର ।

ଛପନ କୋଟି ଜୀବରେ ମୋହର ବେଭାର ।

ତୁମ୍ଭର କନିଷ୍ଠା ଭଗ୍ନୀ ଅଟେ କମଳିନୀ ।

ମୋର ଅଧିକାରେ ସେହୁ ଅଟନ୍ତି କାରେଣୀ ।

ତାହାଙ୍କ ଆଜ୍ଞାରେ ତୁମ୍ଭଙ୍କୁ ମୁଁ ଘେନିଯିବି

ବଇକୁଣ୍ଠ ଭୁବନରେ ନେଇ ବାସ ଦେବି ।

ସେ ସ୍ଥାନରେ କେତେ ପୂରିଛନ୍ତି ତପୋଧନ

ହୋମ ଯଜ୍ଞ କରି ପୂଜୁଛନ୍ତି ଜନାର୍ଦ୍ଦନ ।

ଅଛନ୍ତି ତେତିଶକୋଟି ଦେବ ସନକାଦି ।

ଗନ୍ଧ ଚନ୍ଦନ ପୁଷ୍ପରେ ହୁଅନ୍ତି ଆମୋଦୀ ।

ପୂଜନ୍ତି ଅଗ୍ନିକି ଘୃତ ଦେଇ ବିପ୍ରଗଣ ।

ପ୍ରାଣୀକି ଦୟା କରନ୍ତି ପ୍ରଭୁ ନାରାୟଣ ।

ତୁମ୍ଭର କନିଷ୍ଠା ଭଗ୍ନୀ ତହିଁ ଠାକୁରାଣୀ ।

ତାହାଙ୍କ ସଙ୍ଗରେ ଦାସୀ ଛନ୍ତି କେତେ ପୁଣି ।

ବୈକୁଣ୍ଠ ପୁରର ପୁଣ୍ୟ ବ୍ରହ୍ମା ଲେଖୁଥିଲେ ।

ଲକ୍ଷେଯୁଗେ ଲେଖି ଅନ୍ତ ନ ପାଇଲେ ।

ଏସନ ମହିମା ସେହୁ ବୈକୁଣ୍ଠର ଜାଣ ।

ଅଠାଶୀ ସହସ୍ର ଯାଏ ଛନ୍ତି ଋଷିଗଣ ।

ସେହି ବୈକୁଣ୍ଠକୁ ଚାଲ ବେଗ ହୋଇ ଯିବା

ହରି ପଦ୍ପାଦେ ଯାଇ କରିବାକ ସେବା ।

ଶୁଣିଣ ସେ ଜ୍ୟେଷ୍ଠନାରୀ ବୋଲେ ନାହିଁ ନାହିଁ

ସେକଥା ଶୁଣିଲା ମାତ୍ରେ ଥରେ ମୋର ଦେହୀ।

ତୁମ୍ଭ ମୁଖୁଁ ଶୁଣି ମୋର ପେଟ ଫୁଲାଇଲା

ବରଷକ ଆୟୁ ଛମାସରେ କ୍ଷୟ ଗଲା ।

ଯେବଣ କାଳରେ ସ୍ୱାମୀ ହେଲା ସୃଷ୍ଟି ପ୍ରଳେ।

ସବୁ ଆତ୍ମା ଏକ ହୋଇ ମିଶି ଆଦିମୂଳେ ।

ଏ ସଂସାରର ସୁକୃତ ତୁମ୍ଭ ସଙ୍ଗେ ଗଲା

ଦୁଷ୍କୃତ ଯାକ ଯଏ ପଙ୍କରୂପରେ ରହିଲା ।

ଏହିରୂପେ ଜାଣ ବହିଗଲା କେତେ କାଳ

ପାଞ୍ଚିଲେ ଜଗତ ସର୍ଜିବାକୁ ଆଦିମୂଳ ।

ଆପଣଙ୍କ ଯୋଗୁଁ ରୁଦ୍ର ବ୍ରହ୍ମା ହେଲେ ଜାତ।

ଚଉଦପୁର କରିଣ ସୃଜିଲେ ଜଗତ ।

ସଚରାର ଯାକେ ଯେତେ ଥିବ ଜୀବ।

ସବୁଙ୍କୁ ସର୍ଜନା କରି ରଖିଲେ ଦଇବ ।

ସେଠାରୁ ସୁକୃତ ଉଦେ ଏ ସଂସାରେ ହେଲା ।

ଦୁଷ୍କୃତ ସମସ୍ତ ପଙ୍କରୂପରେ ରହିଲା ।

ସେହି ପଙ୍କର ଭିତରେ ଆସିଲି ମୁଁ ଜନ୍ମି ।

ତେଣୁ ଧାତା ନାମ ମୋର ଦେଲେକ ଅଲକ୍ଷ୍ମୀ ।

ଧର୍ମ ପୁରୁଷର ଅଂଶୁ ଜାତ ହରିପ୍ରିୟା ।

ଅଧର୍ମର ଅଂଶ ଘେନି ଜାତ ଚଉବାହା ।

ଅଲକ୍ଷ୍ମୀ ଅଧିକାରେ ଲାଗିଲାକ ମୋତେ ବିଷ ।

ମନ ଜାଣି ସ୍ଥାନ ମୋତେ ଦେବା ଜଗଦୀଶ ।

ବୈକୁଣ୍ଠ ପୁରରେ ମୁହିଁ ନ ପାରଇ ରହି।

ଆପଣଙ୍କ ଛାମୁରେ ବା କି କହିବି ମୁହିଁ ।

କନିଷ୍ଠା ଭଗ୍ନୀର ଶିରୀ ଦେଖିବି କେମନ୍ତେ

ଏଣୁକରି ବୈକୁଣ୍ଠ ଯେ ନ ରୁଚଇ ମୋତେ ।

ସଂସାରରେ ଯେତେ କଥା ବୋଲୁଥାନ୍ତି ଭଲ ।

ସେହି କଥାଯାକ ମୋତେ ଲାଗୁଥାଏ ସଲ ।

ତୁମ୍ଭେ ଯେ ଏ ବ୍ରହ୍ମାଣ୍ଡର କର୍ତ୍ତା ଅଟ ସ୍ୱାମୀ

ସବୁରି ମନର ଚିନ୍ତା ଜାଣ ଅନ୍ତର୍ଯ୍ୟାମୀ ।

ମୋ ମନ ଗୋଟି ଆପଣ ଏବେ ଜାଣିକରି ।

ସେହି ସ୍ଥାନେ ନେଇ ମୋତେ ରଖିଆସ ହରି ।

ଯେବଣ ସ୍ଥାନରେ ମୋତେ ଦେବ ଅଧିକାର

ସେ କଥା ଗୋଟି ପାଳି ମୁଁ ଥିବି ନିରନ୍ତର ।

ତୁମ୍ଭର ବଚନ ମୁହିଁ ଆନ ନ କରିବି ।

ସ୍ୱାମୀ ସଙ୍ଗେ କାର୍ଯ୍ୟ ନାହିଁ ବନସ୍ତରେ ଥିବି

ଏସନ ବଚନ ତାର ଶୁଣି ଅନ୍ତର୍ଯ୍ୟାମୀ ।

ଉତ୍ତମ ସ୍ଥାନ ଦେବାକୁ ହୁଅନ୍ତି ବିଭ୍ରମି ।

କମଳାର ଜ୍ୟେଷ୍ଠ ଭଗ୍ନୀ ଅଟଇ ଯୁକତେ ।

ଉତ୍ତମ ସ୍ଥାନ ଦେବାର ହୁଏ ଏ ଜଗତେ ।

ଏ ରୂପେ ପାଞ୍ଚିଣ ଚାହିଁ ତାକୁ ନରହରି।

ବୋଇଲେ ସୁସ୍ଥାନ ଦେବା ଉଦ୍ଦାଳକ ନାରୀ ।

ନୟନେ ନ ଦେଖ ତୁମ୍ଭେ ଲକ୍ଷ୍ମୀ ଅଧିକାର ।

ଆମ୍ଭେତ ଏ ଜଗତରେ ଅଟୁ ଗୋ ଠାକୁର ।

ଆମ୍ଭର ତୁମ୍ଭେ ଗୋ ଅଟ ଯେଣୁ ଜ୍ୟେଷ୍ଠା ନାରୀ

ଦ୍ୱିତୀ ଠାକୁରାଣୀ ରୂପେ ସଂସାରରେ ବିହରି ।

ବସନ୍ତ କାଳ ଯେ ଏକା ଅଟେ ସଧୁମାସ।

ଏଥିରେ ପ୍ରଭା ତୁମ୍ଭର ଟେକିବ ଅବଶ୍ୟ ।

ସମସ୍ତ ଜୀବରେ ତୁମ୍ଭେ ବେଳେକେ ବସିବ ।

ତେଣୁକରି ବସନ୍ତାଈ ନାମ ବୋଲାଇବ ।

ଦ୍ୱାଦଶ ଆଦିତ୍ୟରେ ଯେ ବିହରିବ ମହୀ ।

ତୁମ୍ଭର ଏ ନାମଗୋଟି ଅଟେ ଶୀତଳାଈ ।

ଶୀତଳାଈ ଅଷ୍ଟକକୁ ପଢ଼ିବ ଯେ ନର।

ତାକୁ ସୁଦୟା କରିବ ତୁମ୍ଭେ ନିରନ୍ତର ।

ଦ୍ୱାଦଶ ଆଦିତ୍ୟ ହେବ ଦ୍ୱାଦଶ ନୟନ।

ବୁଲିବ ଶୀତଳ ନୟନରେ ସର୍ବସ୍ଥାନ ।

ସର୍ବ ଜୀବରେ କରିବ ବେଳେ ଅଧିକାର ।

ଆଉ ବେଳେ ବସିଲେ ଯେ ନ ମାନିବେ ନର ।

ଅଣବସନ୍ତ ବୋଲିଣ ତୁମ୍ଭଙ୍କୁ ବୋଲିବେ।

ସେଠାବରେ ଅନାଦର ତୁମ୍ଭଙ୍କୁ କରିବେ ।

ବସନ୍ତ ବୋଲି ସେ ବେଦନାର ନାମ ହେବ ।

ତିନିଦିନେ ପାଣି ପାଇ ଉଶ୍ୱାସ କରିବ ।

ଯାବତ ବିହନେ ତାର ହେବ ଅଧିକାର ।

ଧାନ୍ୟରେ ପଣତ ଜାଣ ନୋହିବ ତୁମ୍ଭର ।

ଅଟଇ କମଳାଙ୍କର ସେହୁ ଶ୍ରଦ୍ଧା ଦ୍ରବ୍ୟ।

ତହିଁ ଅଧିକାର କଲେ ମୁର୍ଦ୍ଧା ଫାଟିଯିବ ।

ପୁତ୍ର ବଧୂ ଦୁହିତାଙ୍କୁ ସଙ୍ଗତରେ ଘେନି।

ଆବର ସଙ୍ଗତେ ଥିବେ ଚୌଷଠି ଯୋଗିନୀ ।

ଭୂତ ପ୍ରେତ ପିଶାଚ ପାଶେ ବାସ କର ।

ପିପଳ ବୃକ୍ଷେ ରହିବ ରାତ୍ରେ ନିରନ୍ତର ।

ଚୌଷଠି ଯୋଗିନୀ ଖାଇବେକ ପୋଡ଼ାବଳି

ସେହି ବାସନା ନାସାରେ ଖାଇଥିବେ ବାରି ।

ତୁମ୍ଭ ନାମେ ମେଷ ମହିଷଙ୍କୁ ବୋଦା ଦେବେ।

ଭୂତ ପ୍ରେତ ପିଶାଚେ ତା ଭୋଗାଦି କରିବେ ।

ତୁମ୍ଭର ଆଜ୍ଞାରେ ସେହୁ ପାଳିବେ ମେଦିନୀ ।

ପିଶାଚ କଣ୍ଟା ଖାଇବେ ଚାମଣ୍ଡା ଯୋଗିନୀ ।

କାଳମୁଖୀ ବାଇଧର ଥିବେ ସଙ୍ଗତରେ ।

ତାହାଙ୍କୁ ତିଆରି ଜଗିଥିବ ନିରନ୍ତରେ ।

ଯେବଣ ଗୃହେ ବସନ୍ତ ଜାଣ ବାହାରିବ ।

ସେ ଜନ ତୁମ୍ଭଙ୍କୁ ସେବି ପଣାପାଣି ଦେବ ।

ଆମିଷ ବାସନା ଦ୍ରବ୍ୟ ଘେନୁଥିବ ବାସେ।

ଝାଟ ପାଟ ଉଆଲି ଯେ ଥିବ ତୁମ୍ଭ ପାଶେ ।

ଭଣ୍ଡାର ବସାଇ ତୁମ୍ଭଙ୍କୁ ଯେ ପ୍ରତିପାଳି।

ତୁମ୍ଭଙ୍କୁ ଯେ ପୂଜା କରୁଥିବେ ପୋଡ଼ାବଳି ।

ଘୃତ ଗନ୍ଧ ବାସନା ସେ ପୁରେ ନ କରିବେ ।

ଆମିଷ ଦ୍ରବ୍ୟମାନ ସେ ପୁରେ ନିୟୋଜିବେ ।

ଭଣ୍ଡାର ଉଠାଇ ଦେବ ହୋଇବେ ସେ ଲଣ୍ଡା

ତୁମ୍ଭଙ୍କୁ ପୂଜା କରିଣ ଦେବେ ଛେନାମଣ୍ଡା ।

ଗ୍ରାମର ବାହାରେ ତୁମ୍ଭ ଭଣ୍ଡାର ଥୋଇବେ ।

ପିପଳ ବୃକ୍ଷ ପାଖରେ ଛାଡ଼ିଣ ଆସିବେ ।

ସେ ବୃକ୍ଷମୂଳେ ରହିବ ରାତ୍ରେ ସବୁଦିନେ ।

କରିବେ ମଙ୍ଗଳବାରେ ପୂଜା ଲୋକମାନେ ।

ତୁମ୍ଭଙ୍କୁ ଏ ସଂସାରରେ ଉପନ ଯେ ଦେବ।

ମଙ୍ଗଳବାରରେ ମେଷ ବୋଦାକୁ ମାରିବ ।

ଯୋଗୀଗଣମାନେ ତୁମ୍ଭ ସଙ୍ଗତରେ ରହି।

ସେହି ଉପନମାନଙ୍କୁ ରକ୍ଷିବେ ସେ ଯାଇ ।

ତୁମ୍ଭେ କ୍ଷୀର ପଣା ମଣ୍ଡା କାକରା ଭୁଞ୍ଜିବ ।

ଚନ୍ଦ୍ର ସୂର୍ଯ୍ୟ ଥିବାଯାଏ ନିଶ୍ଚିନ୍ତେ ରହିବ ।

ମଙ୍ଗଳବାରେ ମାଜଣା କରିବେ ତୁମ୍ଭନ୍ତ।

ନୀଚ ଲୋକଠାରେ ପ୍ରୀତ ହେବ ଅନୁବ୍ରତ।

ନିତି ନିତି କନ୍ଦଳଟି ଲାଗିବ ଯଏ ଘରେ ।

ମିଥ୍ୟାଭାଷୀ ପୁରୁଷ ଯେ ଥିବେ ଯେଉଁଠାରେ ।

ନୀଚ ଜନ ସଙ୍ଗତରେ କରୁଥିବେ ପ୍ରୀତ।

ପରଦାରା କରିଣ ଯେ ସାଧୁଙ୍କୁ ନିନ୍ଦନ୍ତି ।

ବଣଜନ୍ତୁଙ୍କ ଜଞ୍ଜଳ ହେଉଥିବ ଯହିଁ।

ଲିଆ ଖାଇ ପଡ଼ିଥିବ କୁଢ଼ କୁଢ଼ ହୋଇ ।

ବେଲ ବଟ ନିମ୍ବଧାତ୍ରୀ ଅଶ୍ୱତ୍‌ଥ ତୁଳସୀ।

ଏହାକୁ କୁଠାର ଧରି ପକାଇବେ ନାଶି ।

ତୀର୍ଥ ବ୍ରତ ଉପବାସେ ନାହିଁ ଯାର ମତି ।

ସେ ଲୋକମାନଙ୍କ ସଙ୍ଗେ ବସେ ଯାଇ ନିତି ।

ପରଦ୍ରବ୍ୟ ଚୋରାଇଣ ନିଅନ୍ତି ଯେ ଜାଣ ।

ଜୀବନ ଜନ୍ତୁ ଛେଦନ କରେ ଯେହୁ ପୁଣ ।

ମାନିତା ସ୍ତିରୀକି ରତି କରେ ବଳାତ୍କାରେ।

ଗାଈ ହଜିଲେ ଗର୍ବେ ନ ଲୋଡ଼ନ୍ତି ଯେ ନର ।

ବିଷ୍ଣୁଙ୍କ ଭକ୍ତ ନୁହନ୍ତି ଜାଣ ଯେତେ ପ୍ରାଣୀ

ସୁଜନଙ୍କୁ ନିନ୍ଦନ୍ତି ଯେ ଅଦୋଷରେ ପୁଣି ।

ତୁମ୍ଭେ ବିଶ୍ରାମିବ ଯାଇ ତାହାଙ୍କ ପାଶରେ।

ଆବର କିଛି କହିବା ତୁମ୍ଭର ଆଗରେ ।

ଗର୍ଭିଣୀ ସ୍ତିରୀଙ୍କର ସେ କଲେ ଲିଙ୍ଗ ଭଗ୍ନ

ତୀର୍ଥକରି ଚଳେ ଚୋରାଇଣ ପରଧନ ।

ପତିବ୍ରତା ସ୍ତିରୀଙ୍କିଟି କରଇ ଯେ ହାସ୍ୟ।

ଆଦିତ୍ୟବାରେ ଆମିଷ କରେ ଯେହୁ ଗ୍ରାସ ।

ରାତ୍ରକାଳରେ କପିତଥ ଭକ୍ଷଇ ଯେ ପ୍ରାଣୀ ।

ଅକାରଣେ ପ୍ରାଣୀକି ଯେ ପକାଏ ଟି ହାଣି ।

ଦୁର୍ଭିକ୍ଷ କାଳରେ ଯେହୁ ନ ବିକଇ ଧାନ।

ଜଳରେ ଉଲଗ୍ନ ହୋଇ ପଶନ୍ତି ଯେ ଜନ ।

ପଥରେ ଥିବା ବୃକ୍ଷକୁ ପକାନ୍ତି ଯେ ହାଣି ।

ପାଷାଣ୍ଡ ପଣରେ ଯେହୁ ପୁରାଣ ନ ଶୁଣି ।

ମିତ୍ରକୁ ଯେଉଁ ଜନ ନ କରେ ସନମାନ।

ଶ୍ରେଷ୍ଠଜାତି ହୋଇଣ ଯେ କରେ ସୁରାପାନ ।

ବିଷ୍ଣୁ ପ୍ରତିମାର ପୂଜା ଯେଉଁ ସ୍ଥାନେ ନାହିଁ ।

ସେହି ସ୍ଥାନରେଟି ତୁମ୍ଭେ ବାସକର ଯାଇ ।

ଗୁରୁଜନମାନଙ୍କୁ ଯେ ନିନନ୍ଦେ ଅନୁବ୍ରତ।

ଦେବ ବା ବ୍ରାହ୍ମଣଙ୍କର ହରଇ ଯେ ବିତ୍ତ ।

ପିଠି ଦେଲା କ୍ଷତ୍ରୀକି ତ ଯେ ମାରନ୍ତି ରଣେ।

ପକ୍ଷ କରି ସଭା ମଧ୍ୟେ କହନ୍ତି ଯେ ଜନେ ।

ପରର ସ୍ତିରୀକି ଦେଖି ହୁଏ ଯେହୁ ଦୁଃଖୀ।

ଋଣକରି ନ ସୁଝଇ ଯେବଣ ପାତକୀ ।

ସୁଜନ ଜନମାନଙ୍କୁ ବୈରାଭାବ କରେ ।

ବିଧବା ବ୍ରାହ୍ମଣୀକି ଯେ ମୂର୍ଖପଣେ ହରେ ।

ଅଶୁଦ୍ଧବନ୍ତ ସ୍ତିରୀଙ୍କି କରେ ଯେ ରମଣ।

ଦୋଷ ଅର୍ଜିଣ ନିୟମ କରେ ଯେହୁ ପୁଣ ।

ପିତା ମାତା ଗୁରୁଙ୍କୁ ନ ମାନେ ଯେଉଁ ଜନ ।

ସ୍ନାନ ସାରି ଦେବତା ଯେ ନକରେ ଅର୍ଚ୍ଚନ ।

ଅଶୁଦ୍ଧ ବସନ ପିନ୍ଧି ଦେବାଳୟେ ଯାଇ ।

ଦକ୍ଷିଣକୁ ମୁଖକରି ଭୁଞ୍ଜିଣେ ବସଇ ।

ଏହାଙ୍କର ପାଶେ ଥିବ ତୁମ୍ଭେ ଯାଇ ନିତି ।

ଭୂତ ପ୍ରେତ ପିଶାଚ ଯେ ଥିବେ ତୁମ୍ଭ କତି ।

ରହିବ ରାତ୍ରେ ଅଶୁଭ ବୃକ୍ଷର ଯେ ତଳେ।

ଏଥେ ଆଣି ତୁମ୍ଭ ସ୍ୱାମୀ ବସାଇଣ ଗଲେ ।

ସେ ବୃକ୍ଷ ତଳେ ବସିବ ଯେହୁ ରାତ୍ରକାଳେ।

ଶିରୀ ଊଣା ତାର କନ୍ଧୁ ହୋଇବ ତତ୍କାଳେ ।

ବୁଢ଼ୀ ଠଆକୁରାଣୀ ହୋଇ ସଂସାରେ ବୁଲିବ।

ମୋହର ଭକତ ଜନେ ହିଂସା ନ କରିବ ।

ଏସନକ ଆଜ୍ଞା ଦେଇ ଗଲେ ପ୍ରଭୁ ବେଗ।

ତକ୍ଷଣେ ମିଳିଲେ ଯାଇ ବଦରିକା ସ୍ୱର୍ଗ ।

ଶ୍ରୀମହାଲକ୍ଷ୍ମୀ ପାଶେ ମିଳି ଭାବଗ୍ରାହୀ।

କହିଲେ ସକଳ କଥା ତାହାଙ୍କୁ ବୁଝାଇ ।

ଶୁଣିଣ ଆନନ୍ଦ ହେଲେ ରତ୍ନାକର ସୁତା।

ଲଜ୍ଜାରୁ ତ ପାରିଏବେ ହୋଇଲେ ମୋ ପିତା ।

ଏତେକ ପାଞ୍ଚି କମଳା ପାଦପଦ୍ମେ ସେବି ।

ବିପ୍ର ପୀତାମ୍ବରକୁ ଯେ ରଖିବେ ଭାର୍ଗବୀ ।

ବନ୍ଦଇ ଶ୍ରୀ ଲକ୍ଷ୍ମୀକାନ୍ତ କୃପାକର ମୋତେ ।

ଶ୍ରୀ ପାଦପଦ୍ମ ଚିନ୍ତି ନ ପାରେ କଦାଚିତେ ।

ନୃସିଂହ ଗ୍ରନ୍ଥ ବାଣୀ ଏ ଅଟେ ଅଗୋଚର ।

ଲେଖିଣ ପାରିଲେ ମୁହିଁ ହେବି ଭବୁ ପାର ।

ଏଥକୁ ଦୟା କରିବେ ମୋତେ ଜଗନ୍ନାଥ।

ଲେଖିବି ସପ୍ତସାଗର ଯାଏ ପୂର୍ଣ୍ଣଗ୍ରନ୍ଥ ।

ଏ ଯେ ଚତୁର୍ଥ ସାଗର ଅଟେ ହରିବାଣୀ।

ଯେରୂପେ ମାଇଲେ ମୁର ବଂଶ ଚକ୍ରପାଣି ।

ସଂସାର ଲୋକେ ଆନନ୍ଦ ହେବେ ଗ୍ରନ୍ଥ ଶୁଣି।

ନାରଦଙ୍କ ଆଗେ ଯାହା ବିଧାତା ବଖାଣି ।

ବିପ୍ର ପୀତାମ୍ବର ଶ୍ରୀହରିଙ୍କ ନିଜ ଦାସ ।

ଜନ୍ମେ ଜନ୍ମେ ସେବା ମୋର କମଳା ବିଳାସ ।

 

 

 

 

ବଦରିକାଶ୍ରମେ ନାରଦଙ୍କ ପ୍ରବେଶ

ଶ୍ରୀ ବ୍ରହ୍ମା ନାରଦଙ୍କ ସମ୍ବାଦ ପୁରାଣ।

କହନ୍ତି ଶ୍ରୀ ଶୁକଦେବ ପରୀକ୍ଷ ଆଗେଣ ।

ଏଥୁଅନ୍ତେ ଶେଷ ନୃସିଂହ ଯେ ବେନିଭ୍ରାତ।

ବଢ଼ନ୍ତି ବଦ୍ରିକା ଦେଶେ ପୂର୍ଣ୍ଣ ମନୋରଥ ।

ଲକ୍ଷ୍ମୀକି ଘେନି ବିହାର କରନ୍ତି ବନରେ।

କେଳି କଉତୁକ ରାସକ୍ରୀଡ଼ା ବିନୋଦରେ ।

ଶକଟା ପଶା ଜୁତ ଯେ ସାରେଣି ଡାବଳ ।

ହରଷ ବିନୋଦେ ଖେଳନ୍ତି ଯେ ଆଦିମୂଳ ।

ବେଦବିଦ୍ୟା ଗଦାବିଦ୍ୟା ଧନୁର୍ବିଦ୍ୟାମାନ।

ପଢ଼ନ୍ତି ଶୁଣନ୍ତି ନୃସିଂହ ଯେ ପ୍ରତିଦିନ ।

ନିତି ସଭା କରି ବସନ୍ତି ସେ ନିଜ ରାଜ୍ୟେ।

ମନେ ବିଚାର କରନ୍ତି ପୁଣି ଦେବକାର୍ଯ୍ୟେ ।

ପାଞ୍ଚନ୍ତି ଆମ୍ଭେ ତ ଜନ୍ମ ହେଲୁ ମଞ୍ଚଭୂଇଁ ।

ସଂସାର ଜନଙ୍କ ଦୁଃଖ ନିବାରିବା ପାଇଁ ।

ବ୍ରହ୍ମାଙ୍କୁ ଯେ ଆଦିକରି ସର୍ବ ଦଇବତେ ।

କ୍ଷୀରସାଗରେ ଗୁହାରି କଲେ ଯାଇଁ ମୋତେ ।

ତାହା ଶୁଣି ଜନ୍ମିଲି ମୁଁ ବଦରିକା ପୁରେ ।

ସପ୍ତଦଶ ବର୍ଷ ଏବେ ହେଲାଣି ଲେଖାରେ ।

ଅସୁରକୁଳ କରିବା ଏବେଟି ନିଃଶେଷ

ଚଉଦପୁରର ଭାରା ହୋଇବ ଉଶ୍ୱାସ

ଏମନ୍ତ ବୋଲି ମନରେ ପାଞ୍ଚି ନାରାୟଣ।

କହନ୍ତି ଶ୍ରୀ ଶୁକଦେବ ପରୀକ୍ଷ ଆଗେଣ ।

ଶ୍ରୀନୃସିଂହ ପୁରାଣ ଏ ଗ୍ରନ୍ଥ ମଧ୍ୟେ ସାର।

ବୈଶାଖ ଶୁକଳ ଚତୁର୍ଦ୍ଦଶୀ ସୋମବାର ।

 

ସେହିଦିନ ମଧ୍ୟେ ଜନ୍ମ ହେଲେ ବ୍ରହ୍ମରାଶି ।

ବ୍ରତ ଯେ ପାଳିବ ଶ୍ରୀନୃସିଂହ ଚତୁର୍ଦ୍ଦଶୀ ।

ଶ୍ରୀନୃସିଂହ ପାଦଧ୍ୟୟି ଭକ୍ତ ଜନମାନେ ।

ଷଡ଼ଜୟନ୍ତୀ କରନ୍ତି ଉତ୍ସବ ବିଧାନେ ।

ନୃସିଂହ କବଚ ସ୍ତୁତି ପୁଣି ସସ୍ରନାମ ।

ପଢ଼ୁଥାନ୍ତି ଋଷି ବିପ୍ରେ କରି ପରିଶ୍ରମ ।

ପରମଗତି ପାଇଲେ ଭାବେ ବିଷ୍ଣୁ ପୁରୀ ।

ଏମନ୍ତ ପୁଣ୍ୟ ଲଭନ୍ତି ହୋଇ ବ୍ରତାଚାରୀ ।

ତୁହି ସୋମବଂଶେ ଜନ୍ମିଅଛୁ ଭାବ୍ୟବନ୍ତ।

ଯେଣୁ ପୁରାଣ ଶୁଣିଲୁ ତୁ ମହାପଣ୍ଡିତ ।

ଲଭିବୁ ତୁ ମହାପୁଣ୍ୟ ନାଶି ସର୍ବ ପାପ ।

ବୈକୁଣ୍ଠ ପୁରେ ବସିବୁ କାଟି ଋଷିଶାପ।

ଶୁଣିଣ ଉସତ ହେଲେ ପରୀକ୍ଷ ନୃମଣି ।

ବୋଇଲେ ଲଭିବି ଗତି ତୁମ୍ଭ ମୁଖୁ ଶୁଣି ।

ଅନ୍ତକାଳକୁ ହେ ମୁନି ହେଲେ ମୋତେ ସାହା ।

ଏଥି ଉତ୍ତାରେ କହନ୍ତୁ ପୁଣି ହେଲା ଯାହା ।

କି ରୂପେ ଯେ ମୁରବଂଶ ନାଶି ଭଗବାନ।

ପୃଥିବୀ ଭାରା ଉଶ୍ୱାସ କଲେ କେମନ୍ତେଣ ।

ତରିବା ଋଷି ଶାପୁ ସେ କଥା ମୋତେ କହ।

ପୁଣି ଆନନ୍ଦିତ ହେଲେ ବ୍ୟାସଋଷି ପୁଅ ।

ବୋଇଲେ ଶୁଣ ହେ ରାଜା କହିବା ଯେତୋତେ

ତୁହି ଯହୁଁ ଶ୍ରଦ୍ଧା ଭାବେ ପଚାରିଲୁ ମୋତେ ।

ଅଶେଷ ମହିମା ଏଯେ ନୃସିଂହ ପୁରାଣ।

କେ ଗଲା ବାଲିକୁ ଗଣି କରିବ ପ୍ରମାଣ ।

ତହୁଁ ମଧ୍ୟୁ ଯାହା କିଛି କହିଦେବା ତୋତେ ।

ବ୍ରହ୍ମା ନାରଦ ସମ୍ବାଦ ହୋଇଥିଲା ଯେତେ ।

ନାରଦ ପୁଚ୍ଛନ୍ତି କହନ୍ତି ଯେ ବେଦବ୍ରହ୍ମା ।

ବୋଲନ୍ତି ହୋ ସାବଧାନେ ଶୁଣ ମହାତମା ।

ଯେତେବେଳେ ଶ୍ରୀନୃସିଂହ ପଢ଼ିଲେକ ବେଦ।

ପୂର୍ବେ ତୋତେ ତାହା କରିଅଛୁଁ ଯେ ପ୍ରସିଦ୍ଧ ।

କୃଷ୍ଣ ବଲ୍ଲଭ ରାଜା ଯେ ବଦ୍ରିକା ନୃପତି ।

ଅଯୋନିମ୍ଭୁସତା ତାଙ୍କ ଭାର୍ଯ୍ୟା ଭାଗ୍ୟବତୀ ।

ତାଙ୍କ କୋଳେ ଜନ୍ମି ବଢ଼ିଅଛି ଚକ୍ରଧର ।

ସପତ ଦଶ ବରଷ ହୋଇଛି ତାଙ୍କର ।

ଏକଦିନେ ନାରଦ ଯେ ବିଚାରନ୍ତି ବସି ।

ଯଶୋବନ୍ତୀ ଭୁବନରେ ବିଜେ ବ୍ରହ୍ମରାଶି ।

ବାଇଶ ଦିନେ ଯାବତ ବିଦ୍ୟାଯାକ ସାଧି।

ମଞ୍ଚକୁ ଘେନି ଚଳିଲେ ତାହା ଦୟାନିଧି ।

ବଦରିକା ଦେଶେ ସାଧୁଛନ୍ତି ଅନୁକ୍ଷଣେ ।

ସେ କଥା ବୁଝିବା ଯାଇ ଦେଖି ବେହରଣେ ।

କେମନ୍ତ ପ୍ରକାରେ ତହିଁ ଛନ୍ତି ଦୀନବନ୍ଧୁ।

ସମସ୍ତ ଜନଙ୍କ ସେହୁ କୃପାମୟସିନ୍ଧୁ ।

ପାଶକୁ ଯାଇଣ ଏବେ କରିବା ଦର୍ଶନ।

ଶୁଣିଣ ଶ୍ରୀମୁଖୁଁ ବାଣୀ ଅମୃତ ବଚନ ।

ଏମନ୍ତ ମନରେ ପାଞ୍ଚି ବ୍ରହ୍ମାଙ୍କର ଶିଷ୍ୟ ।

ବିଜୟ କଲେ ନାରଦ ବଦରିକା ଦେଶ ।

ସ୍ୱର୍ଗ ଭୁବନ ପରାୟେ ଦିଶେ ସେହୁ ପୁରୀ।

ତହିଁରେ ଯେ ନାରାୟଣ ଛନ୍ତି ଅବତରି ।

ସୁବର୍ଣ୍ଣ କଳସମାନ ବସେ ଘରେ ଘରେ।

ଶୋଭେ ନେତ ପତନୀ ଯେ ଚିରାଳତାପରେ ।

ରସାଣିଲା ସୁବର୍ଣ୍ଣର ପ୍ରାୟ ପୀଢ଼ମାନ।

ସ୍ପଟିକ କାନ୍ଥେ ବିରାଜେ ଅଙ୍ଗ ଘନ ଘନ ।

ସିଂହଦ୍ୱାରେ ବିରାଜଇ ଉଚ୍ଚ ଦାଣ୍ଡ ପିଣ୍ଡା ।

ସ୍ୱର୍ଣ୍ଣ ସୂତାରେ ମୁକୁତା ଗୁନ୍ଥା ପେଣ୍ଡା ପେଣ୍ଡା ।

କେବଣ ଘରେ ପଡ଼ିଛି ମୁଗୁନିର ପାଟ ।

ବିରାଜଇ କେଉଁ ଘରେ କାଚ ଝଟ ଝଟ ।

କେବଣ ଘରେ ଦର୍ପଣ ବାଡ଼ ଚାରିପାଖ।

କେଉଁ ଗୃହରେ ପ୍ରତିମା ରାଜେ ଲକ୍ଷ ଲକ୍ଷ ।

ତୋରଣ ସ୍ତମ୍ଭ ଚାମର କାହିଁ ମାଳା ମାଳା।

ବିରାଜେ ସୁବର୍ଣ୍ଣ ପାଟ ସ୍ତମ୍ଭ ମଣିଶିଳା ।

କେବଣ ଘର ଗୋଟିକ ହରିତାଳେ ଘଷା

କେବଣ ଘରେ ମାରାଗ ରଙ୍ଗ ଅଛି ମିଶା ।

କେବଣ ଘର କୁଙ୍କୁମବର୍ଣ୍ଣ ପ୍ରାୟ ଦିଶେ।

କେବଣ ଗୃହରେ ଶଙ୍ଖ ଗୋକ୍ଷୀର ପ୍ରକାଶେ ।

ବିରାଜଇ ମଣିଶିଳା କେବଣ ଗୃହରେ ।

ଚିତ୍ର ବିଚିତ୍ର କାମରେ ଶୋଭା କେଉଁ ପୁରେ ।

କାହିଁ ଯେ ଶକଟା ପାଶା ଗୃହ ମାଳ ମାଳ

କାହିଁ ସାରେଣୀ ଲଙ୍କଟ ଲାଟ ମୂଳଶାଳ ।

କସ୍ତୁରୀ କର୍ପୂର ଗୁଣ୍ଡ କେଉଁ ପୁରେ ଥୁଆ।

କାହିଁ ଚନ୍ଦନ କୁଙ୍କୁମ ପନିଅର ଚୁଆ ।

ଦେବାଙ୍ଗ ବାସ ପତନି ପାଟ କାହିଁ ସାଜେ

କେଉଁପୁରେ ହୀରା ନୀଳା ମାଣିକ୍ୟ ବିରାଜେ ।

କେ ଦୋମୁହିଁ ଲଙ୍କମୁହିଁ ବାଘମୁହିଁ ଛାନ୍ଦ ।

ବିଶ୍ୱକର୍ମାର ଭିଆଣ ଆଗ ଦ୍ୱାରବନ୍ଧ ।

ରକ୍ତ ଚନ୍ଦନର ସ୍ତମ୍ଭ ପଦ୍ମକାଠ ଭାର।

ପାରିଜାତିକ ଶ୍ରେଣୀକି ସୁବର୍ଣ୍ଣର ତାର

କାହିଁ ହେନ୍ତାଳର ବଢା ଗିଳିମିଶା ଲଇ।

ତେଜପତ୍ରର ଚୂନରି ରୁଅ କାହିଁ ଛାଇ ।

ଝିନବସନ ବହୁତ କରି ତହିଁ ପାଡ଼ି।

ଶ୍ରୀ ବିଶ୍ୱନାଥ ନିମିତ୍ତେ ବିଶ୍ୱକର୍ମା ଗଢ଼ି ।

ସେ ପୁରକୁ ବର୍ଣ୍ଣିବାକୁ ଭରସା ବା କାର।

ଶ୍ରୀନୃସିଂହ ଶେଷଦେବ ଯହିଁ ଅବତାର ।

ବଦରିକା ନଗ୍ରଲୋକେ ସର୍ବେ ପୁଣ୍ୟବନ୍ତ।

ଦର୍ଶନ କରନ୍ତି ସଦା ଯେହୁ ବିଶ୍ୱନାଥ ।

ନାରଦ ମୁନି ପ୍ରବେଶ ହେଲେ ତହିଁ ଆସି।

ଘରକୁ ଦେଖି ପ୍ରଶଂସା କରନ୍ତି ସେ ଋଷି ।

ଶ୍ରୀ ବିଷ୍ଣୁର ନଗ୍ରେ ଋଷି ପ୍ରବେଶିଲେ ଯାଇଁ।

କନ୍ଧରେ ଯେ ବୀଣାଦଣ୍ଡ ମୁଖେ ନାମ ଗାଇ ।

ମନପବନ ଦଣ୍ଡରେ ଚଢ଼ି ମହାଜ୍ଞାତା ।

ଧୋତି ଯେ ଉତ୍ତରୀ ଦଣ୍ଡ ମୁଣି କୁଶ ଚିତା ।

ଶ୍ରୀ ନୃସିଂହନାଥପୁରେ ହୋଇଲେ ପ୍ରବେଶ ।

ଯହିଁ ବିଜେ କରିଛନ୍ତି ପ୍ରଭୁ ଜଗଦୀଶ ।

ନାରଦ ଆସିବା କଥା ଜାଣି ଭଗବାନ ।

କଲେକ ନୃସିଂହ ଶେଷ ଅନନ୍ତ ଶୟନ ।

ରତ୍ନପଲ୍ୟଙ୍କ ମଣ୍ଡିଣ ଖଟଦୋଳି ଶଯ୍ୟା।

ଆନନ୍ଦେ ପହୁଡ଼ିଛନ୍ତି ଯହିଁ ଦେବରାଜା ।

ସେବାକାରୀ ଜନେ ସେବୁଛନ୍ତି ଲାଗି ଘଞ୍ଜେ ।

ଚାମର ଧରି କରେ କେ ହୃଦୟରେ ବିଞ୍ଚେ ।

ପିକଦାନୀ ଧୂପକାଠୀ ଘେନିକରି ଉଭା।

କେବା ଚତୁଃସମ ଗୁନ୍ଥଅଛି ପୁଷ୍ପଗଭା ।

କେ ପନୀର ସିଞ୍ଚଇ କେ ମଞ୍ଚାଳଇ ପାଦ ।

ଏମନ୍ତ ସମୟେ ଯାଇଁ ମିଳିଲେ ନାରଦ ।

ମନପବନ ଦଣ୍ଡରୁ ଓହ୍ଲାଇଲେ ମୁନି ।

ଯୋଗ ଆସନେ ବସିଲେ ବୀଣାଦଣ୍ଡ ଘେନି ।

ଦେଖିଲେ ଶ୍ରୀ ନାରାୟଣ ଛନ୍ତି ନିଦ୍ରାଯାଇ ।

ସ୍ୱପନ ଦାରା ସମ୍ପଦ ତିନି ଏକ ହୋଇ ।

ଯୋଗବଳେ ନିଦ୍ରା ଯେ ପରମାନନ୍ଦ ସ୍ୱାମୀ ।

କଳା କମଳଗଞ୍ଜନ ନାମ ଅନ୍ତର୍ଯ୍ୟାମୀ ।

କୋଟି କୋଟି ବ୍ରହ୍ମାଣ୍ଡର ବିଚାରଟି ଯେତେ ।

ଜାଣନ୍ତି ଧାରଣା ଯୋଗ ଲୟେ ଅନ୍ତଗତେ ।

ଏସନକ ରୂପ ତହିଁ ଦେଖି ମହାଋଷି।

ବୋଇଲେ ନିଦ୍ରା ତେଜିବେ କେହ୍ନେ ବ୍ରହ୍ମରାଶି ।

ଏତେ ବିଚାରି ବାଇଲେ ମୁନି ବୀଣାଦଣ୍ଡ।

ଭେଦିଲା ସପତ ସ୍ୱର ସପତ ବ୍ରହ୍ମାଣ୍ଡ ।

ନୃସିଂହ ଦୟାଳୁ କର୍ଣ୍ଣେ ସମ୍ଭାଇଲା ଯାଇ

ସର୍ପ ଯେସନେ ବିଳରେ ପ୍ରବେଶ ହୁଅଇ ।

ସେହିରୂପେ ଶବଦ ଯେ ବ୍ରହ୍ମରନ୍ଧ୍ରେ ବାଜି।

ଚୈତନ୍ୟ ପୂରନ୍ତେ ସେ ଉଠିଲେ ସେ ନିଦ୍ରାତେଜି।

ଦେଖିଲେ ନାରଦ ମୁନି ବସିଛନ୍ତି ପାଶେ ।

ଚାଲନ୍ତି ସପତ ସ୍ୱର ବୀଣା ରଙ୍ଗ ଆଶେ ।

ଚକ୍ଷୁବେନି ମଳି ଉଠିଲେକ ଚକ୍ରଧର।

ଦେଖିଲେ ବସିଅଛନ୍ତି ପାଶେ ମୁନିବର ।

ହସିଲେ ମୁନିଙ୍କ ମୁଖ ଚାହିଁ ବେନି ଭାଇ ।

ନମସ୍କାର କଲେ ଧରି ମୁନି ପାଦ ଦୁଇ ।

ଦେଖି ନାରଦ ଆସନୁ ବେଗେ ଗଲେ ଉଠି।

କୃତାଞ୍ଜଳି ହୋଇ କଲେ କଲ୍ୟାଣ ଯେ କୋଟି ।

କାଖରେ ହସ୍ତ ଦେଇଣ ହୋଇଲେ କାର୍ପଣ୍ୟ।

ବୋଇଲେ ଭୋନାଥ ତୁମ୍ଭେ ଅଟ ନାରାୟଣ ।

ତୁମ୍ଭର ଦର୍ଶନେ ଥାଏ ଆମ୍ଭ ବଡ଼ ଇଚ୍ଛା ।

ତୁମ୍ଭେ ସିନା ଦେଇପାର ଯାହାର ଯେ ବାଞ୍ଛା ।

ତୁମ୍ଭର ଅହ୍ଲାଦ କାମଧେନୁର ଯେ ପ୍ରାୟେ।

ନ ସରଇ ଦୁହିଁଲେ ସେ ଯେହ୍ନେ ସର୍ବଦାଏ ।

ତୁମ୍ଭେ ସେହିରୂପେ ସବୁଙ୍କର ଦୁଃଖ ଘେନ।

କରୁଣାକର ହେ କୃପାନିଧି ଭଗବାନ ।

ତୁମ୍ଭଙ୍କୁ ବା ଅଗୋଚର ଅଟେ କେଉଁ କଥା ।

ତୁମ୍ଭେ ଯେ ବୋଲାଅ ପ୍ରଭୁ କର୍ମାକର୍ମଦାତା ।

ତୁମ୍ଭେ ସିନା ସୃଜିଅଛ ସଂସାର ଯାବତ ।

ତୁମ୍ଭ ନକଲାର ହୋଇ ନାହିଁ କେଉଁ କୃତ୍ୟ ।

ତୁମ୍ଭର ରଚନା ସ୍ୱର୍ଗ ମର୍ତ୍ତ୍ୟ ଯେ ପାତାଳ ।

ବିପ୍ର କ୍ଷତ୍ରୀ ବୈଶ୍ୟେ ଶୂଦ୍ର ପତିତ ଚଣ୍ଡାଳ

ନାଗଲୋକ ନରଲୋକ ଦେବଲୋକ ଆଦି।

କନ୍ଦର ପର୍ବତ ସିନ୍ଧୁ ପୃଥ୍ୱୀ ନଦ ନଦୀ ।

ଏଥି ମଧ୍ୟରେ ଅସୁର ଦୁଷ୍ଟ ହେଲେ ଜାତ।

ତୁମ୍ଭର ରଚନା ପୃଥ୍ୱୀ ଭାଙ୍ଗିଲେ ଜଗତ ।

ଭୃତ୍ୟଜନେ ତୁମ୍ଭର ଯେ ହୋଇଲେ ନିରେଖ।

କି ରୂପେ ତେକୁ ସ୍ଥାପନା କର ପଦ୍ମମୁଖ ।

ଏଣୁ ମୁଁ ଅଇଲି ନାଥ ତୁମ୍ଭର ଦର୍ଶନେ।

ତୁମ୍ଭ ବିଦ୍ୟାପଢ଼ା ଦିନ ଥାଏ ମୋର ମନେ ।

କି ରୂପେ କହିବି ବୋଲି ପାଞ୍ଚୁଥାଇ ବସି

ତୁମ୍ଭର କରୁଣା ହେଲା ଏତେ ଦିନେ ଆସି ।

ଏସନ ବାକ୍ୟ ନାରଦ ମୁଖରୁ ଯେ ଶୁଣି।

ଆସନ ଦେଇ ମୁନିଙ୍କି ବସାଇଲେ ପୁଣି ।

ହସ ହସ ହୋଇ ପଚାରନ୍ତି ଭଗବାନ।

ନାରଦ ମୁଖକୁ ଚାହିଁ କହନ୍ତି ବଚନ ।

ତୁମ୍ଭେ ମହାମୁନି ଅଟ ସର୍ବ ଉପକାରୀ।

ଯାହାକୁ କହିବ ଯାହା ନୋହେ ଆନ କରି

ତୁମ୍ଭଙ୍କୁ ଗରବ କରିବ ଯେ ରୋଷ ବହି ।

ଆପଣ ବିମୁଖ ହେଲେ ରଖିବ ସେ କାହିଁ ।

ବ୍ରହ୍ମାର ନନ୍ଦନ ତୁମ୍ଭେ ଦ୍ୱିତୀ ବ୍ରହ୍ମା ଅଟ।

କ୍ଷଣକରେ ଆନକରି ଲେଖ ଭାଲ ପଟ ।

ବ୍ରହ୍ମାଏ ଯେ ଆପଣଙ୍କୁ କଲେ ଉତପତ୍ତି ।

ଜଗତେ ସୃଜିବ ବୋଲି ପେଷିଲେ ତଡ଼ତି ।

ତୁମ୍ଭେ ସିନା ତାହା ହେୟଜ୍ଞାନ କଲ ମୁନି ।

ଦକ୍ଷ ବ୍ରହ୍ମା ସର୍ଜିଲ ଯେ ପିତା ଆଜ୍ଞା ଘେନି

ସେ ଦକ୍ଷର ସଙ୍ଗେ ତୁମ୍ଭେ ହୋଇଲ ବିବାଦୀ

ଶାପ ପାଇ ବ୍ରହ୍ମଜ୍ଞାନ ସାଧି ତପୋନିଧି ।

ଏଣୁ କରି ତୁମ୍ଭେ ମୁନି ହେଲ ମହାଜ୍ଞାତା।

ସତ୍ୟ କହିଣ ସଂସାରେ ଭ୍ରମ ଅପ୍ରମିତା ।

ତୁମ୍ଭର ବଚନ ସତ୍ୟ ଲୋକ ହିତକାରୀ ।

ଅସତ୍ୟ ଲୋକମାନେ ଅଳ୍ପକେ ଯାନ୍ତି ମରି ।

ଅସତ୍ୟ କହିଲେ କଳମଷ ହୋଏ ଜାତ।

ଅସତ୍ୟ ଛଳ ବହିଣ ମରନ୍ତି ବହୁତ ।

ଛଳରୁ ଜନମ ପୁଣି ହୁଅଇ କନ୍ଦଳ।

କନ୍ଦଳରୁ କ୍ରୋଧ ଜନ୍ମ ହୁଏ ତତକାଳ ।

କ୍ରୋଧ ହେଲାରୁ ତାହାକୁ କାଳା ଆସି ଘୋଟେ

କାଳର ପାଖେ ମରଣ ଥାଇ ତା ନିକଟେ ।

ମରଣ ହୋଇଲେ ତାର ବଂଶ ହୋନ୍ତି ନାଶ।

ବଂଶଗଲେ କୁଳ କ୍ଷୟ ହୁଅଇ ଅବଶ୍ୟ ।

ଏହିରୂପେ ମହିମା ଯେ ଅଟଇ ତୁମ୍ଭର ।

ଯାହାକୁ ଦୟାକର ସେ ଅକ୍ଷୟ ଅମର ।

ସଂସାର ଲୋକଙ୍କ ଚେଷ୍ଟା ତୁମ୍ଭେ ସର୍ବ ଜାଣ ।

ଯାହାକୁ ଯାହା ଲିହ ସେ ଅଟଇ ପ୍ରମାଣ ।

କି ନିମନ୍ତେ ଆପଣ ଏଠାକୁ କଲ ବିଜେ ।

ଆମ୍ଭ ହିତେ ଆସିଛ କି ଅବା ଦେବକାର୍ଯ୍ୟେ ।

ନାରଦ ବୋଇଲେ ପ୍ରଭୁ ସଂସାରର ହିତେ ।

ମୃରାସୁର ଉପଦ୍ରବ କହିବା ନିମନ୍ତେ

ମଘବା ଯେ ସ୍ୱର୍ଗ ତେଜି ପଳାଇଲା ଛାଡ଼ି ।

ବାସଭଗ୍ନ ପକ୍ଷୀ ପ୍ରାୟେ ଅନ୍ତରୀକ୍ଷେ ଉଡ଼ି ।

ଆପଣତ ଅନ୍ତର୍ଯ୍ୟାମୀ ଜାଣ ସର୍ବ ଦୁଃଖ ।

ଏବେ ସେହୁ କଥା କେହ୍ନେ ହେବ ପଦ୍ମମୁଖ ।

ଶ୍ରୀହରି ବୋଇଲେ ମୁନି କହିଲ ଯା ସତ ।

ଜନ୍ମିଛି ମାନବ ହୋଇ ତହିଁର ନିମିତ୍ତ ।

ତୁମ୍ଭେ ତ ଜାଣ ଆମ୍ଭର ଜନ୍ମ ଅଛି କାହିଁ ।

ଭକତର ପରିତ୍ରାଣେ ପ୍ରକାଶିଛି ମହୀ ।

ଏବେ ତ ଆସି ନୃସିଂହ ଅବତାର ହେଲୁ।

ମୁର ଅସୁର ନିମନ୍ତେ ମହୀରେ ଜନ୍ମିଲୁ ।

ପୁରାଣେ ତ ଶୁଣୁଥିବ ମଧୁ କଇଟଭ।

ତହିଁରୁ କି ବଡ଼ ଏହୁ ଦାନବ ହୋଇବ ।

ମହାପ୍ରଳୟର ଜଳେ ତାକୁ ଅଛୁ ମାରି।

ବର ମାଗିଲାରୁ ତାକୁ କଲୁ ବସୁନ୍ଧରୀ ।

ସେ ସ୍ଥାପନା ଯେବେ ନାଶୁଅଛି ମୁରଦୈତ୍ୟ।

ଧ୍ୱଂସିବି ଦେଖିବା ତାକୁ କରେ କେତେ କୃତ୍ୟ ।

ଏତେ ବୋଲି ନରସିଂହ ହେଲେ କେତେ ରୂପ

ପୃଥିବୀଯାକ ଦିଶିଲେ ନୃସିଂହ ସ୍ୱରୂପ ।

ଦେଖିଣ ନାରଦ ମୁନି ବିଚାରନ୍ତି ମନେ ।

ମାନବ ବୋଲି ଏହାକୁ ବୋଲିବା କେସନେ ।

ଏବେ ଜାଣିଲଇଁ ସମସ୍ତେ ହେଁ ହେବା ସୁସ୍ଥ ।

ଏତେ ବିଚାରି ନାରଦ ହେଲେ କୃତ୍ୟକୃତ୍ୟ ।

ନୃସିଂହ ବୋଇଲେ ମୁନି ଦେଖୁଥିବେ ସ୍ୱର୍ଗେ ।

ବିକଶିତ ଯେତେ ରୂପ ଅସୁରର ଆଗେ ।

ନାରଦ ବୋଇଲେ ତୁମ୍ଭେ ନିଶ୍ଚେ ବିଷ୍ଣୁ ରୂପ ।

ତୁମ୍ଭର ଆଗେ କିସ ସେ ଛାର କଉଣପ ।

ଅଶେଷ କୋଟି ବ୍ରହ୍ମାଣ୍ଡ ଯାର ଲୋମମୂଳେ।

ଦିଶୁଥାଏ ତିଳଚୋପା ପ୍ରାୟେ ତାହା ଠୁଳେ ।

ବ୍ରହ୍ମାଙ୍କ ସଭାରେ ନିତି ସୁରୁଥାଏ ନାମ।

ତୁମ୍ଭେ ଅନାଦି ପୁରୁଷ ଯେ ପରମବ୍ରହ୍ମ ।

ଫାଟିଲା ତିମିର ଉଦେ ହେଲା ଦିବାକର।

ଯେତେବେଳେ ଦେଖିଲୁ ଏ ରୂପ ନୃସିଂହର ।

ଯଶୋବନ୍ତୀପୁରେ ଯିବି ଆଜ୍ଞା ମୋତେ ହେଉ।

ଏ ପୃଥ୍ୱୀ ସ୍ୱାମୀ ତୁମ୍ଭର ତାପ ଘେନି ଯାଉ ।

ନାରଦଙ୍କୁ ବିଷ୍ଣୁରୂପ ଦେଖାଇଣ ହରି ।

ଧଇଲେ ନିଜ ତନୁ ସେ ରୂପ ତ୍ୟାଗ କରି ।

ନୃସିଂହ ଶେଷକୁ ପ୍ରଦକ୍ଷିଣ କରି ଋଷି।

ଚଳିଗଲେ ଦଣ୍ଡେ ଚଢ଼ି ବୀଣାନାଦ ଘୋଷି ।

ମନେ ବିଚାରନ୍ତି ମୋର ଫିଟିଲା ସଙ୍କଟ ।

ମୁର ଦାରୁଣ ଅସୁରେ ମରିବେ ନିକଟ ।

ଯହୁଁ ଦେଖିବେ ନୃସିଂହ ରୂପ ଅକଳିତ ।

ସମସ୍ତ ଦୁଃଖ ହୋଇବ ନିଶ୍ଚେ ଏବେ ହତ ।

ଏହି କଥା କହିବା ଯେ ମୃରାସୁର ଆଗେ

ପୋଡ଼ିଲେ ବିଷ୍ଣୁଙ୍କୁ ବୋଲି କହୁଥିଲା ସ୍ୱର୍ଗେ ।

ଏମନ୍ତେ ପାଞ୍ଚି କନକାବତୀ ପ୍ରବେଶ

ଶ୍ରୀ ନୃସିଂହ ଶରଣ ମୁଁ ପୀତାମ୍ବର ଦାସ ।

ନାରଦଙ୍କ ମୁରନିକଟେ ନୃସିଂହଙ୍କ ଜନ୍ମ ବୃତ୍ତାନ୍ତ କଥନ

ଶୁଣ ହେ ପରୀକ୍ଷ ରାଜା କହେ ଶୁକମୁନି।

ବ୍ରହ୍ମା ନାରଦ ସମ୍ବାଦ ଏହୁ ପୁଣ୍ୟଧ୍ୱନି ।

ବଦ୍ରିକାଦେଶୁ ନାରଦ ଗଲେ ବେଗେ ଚଳି

ଶ୍ରୀ ନୃସିଂହ ମହିମା ମନେ ମନେ ଭାଳି ।

ଦେବେ ଡଗର ଅଟନ୍ତି ସେ ନାରଦ ମୁନି ।

ମୁର ଦୈତ୍ୟ ନଗ୍ରକୁ ସେ ଗଲେ ବାର୍ତ୍ତା ଘେନି ।

ଶ୍ରୀନୃସିଂହ ଜନ୍ମଲୀଳା କହିବାର ପାଇଁ ।

ମନ ପବନ ଦଣ୍ଡକୁ ଚଳିଲେ ଆରୋହି ।

କାଖରେ କଳି ଧୋକଡ଼ି ହସ୍ତେ ବୀଣା ଘେନି।

କର୍ଣ୍ଣେ କୁଣ୍ଡଳ କଟିରେ କଷା କଉପିନୀ ।

କପାଳେ ହରି ମନ୍ଦିର ତିଳକ ବିରାଜେ ।

ଚଳନ୍ତି ସେ ମହାମୁନି କନକାବତୀ ଯେ ।

କହିବା ଯାଏ ମୁନିଙ୍କ ଫୁଲାଉଛି ପେଟ।

ସତ କହିଲେ ଲାଗିବ କଥା କଳିହାଟ ।

ନୃସିଂହ ଜନ୍ମ କହିବେ ମୁରଦୈତ୍ୟ ଆଗେ ।

ସତ କହଲେଣି କଳି ଉପୁଜିବ ବେଗେ ।

ଏମନ୍ତ ମହିମାବନ୍ତ ପଦ୍ମଯୋନି ଶିଷ୍ୟ ।

ଅସୁର ସଭାରେ ଯାଇ ହୋଇଲେ ପ୍ରବେଶ ।

ଝାଳେଣି ତ୍ରିପିଣ୍ଡ ହୋଇଗଲେ ମୁନିକାୟେ ।

କଷା ବାସ ଧରି ହସ୍ତେ ବିଞ୍ଚୁଛନ୍ତି ବାୟେ ।

ମଣୋହି ସାରିଣ ରାଜା ବିଜେ ସିଂହାସନେ ।

ଭେଟନ୍ତି ସଭାରେ ଆସି ସେନାପତିମାନେ ।

ଏସନ ସମୟେ ମିଳିଗଲେ ମୁନିବର।

ଋଷିଙ୍କି ଦେଖିଣ ରାଜା ଉଠି ଧାତିକାର ।

ଆସନ ଦେଇଣ ରାୟେ ପାଦ ପଖାଳିଲା ।

ପାରୁଷେ ବସାଇ ସେହୁ ନମସ୍କାର କଲା ।

ସେବକ ବିଞ୍ଚନ୍ତି ବିଞ୍ଚଣୀକି ଘେନି ଭୁଜେ ।

ମୁରପଚାରେ ମୁନି କି ଅର୍ଥେ କଲ ବିଜେ ।

ଦେହଯାକରୁ ତୁମ୍ଭର ଗଳେ ଶ୍ରମ ଝାଳ।

ବଦନ ଶୁଖିଣ ଚକ୍ଷୁ ଦିଶେ ଢଳ ଢଳ ।

ପୁଚ୍ଛନ୍ତେ ରାଜନ ସଭାଲୋକ ନିଃଶବଦ ।

ଠକାରେ କହନ୍ତି ମୁନି ହୋଇ ଗଦ ଗଦ ।

କ୍ରୋଧ କଲା ପ୍ରାୟ ସେହୁ ନ ପାରନ୍ତି କହି

ଝର ଝର ଚକ୍ଷୁ ମଧ୍ୟୁ ପଡ଼େ ଲୁହ ବହି ।

ଦେଖି ମୁନିଙ୍କୁ ସାଷ୍ଟାମ କଲେ ମୃରାସୁର

ବୋଇଲେ ଅଧୈର୍ଯ୍ୟ କିମ୍ପା ହୁଅ ମୁନିବର ।

ନ ଥିଲେ ଅନ୍ନ ବସନ ମାଗିନିଅ ମୋତେ ।

ଲକ୍ଷେକ ସୁବର୍ଣ୍ଣ ହୀରା ଦେବି ଆଜି ତୋତେ ।

ମାଗିଲେ ଅର୍ଦ୍ଧେକ ରାଜ୍ୟ ତୋତେ ଦେବି ପୁଣ

ସ୍ୱର୍ଗେ ବସିବି ବୋଇଲେ ଦେବି ଇନ୍ଦ୍ରପଣ ।

ନାରଦ ବୋଇଲେ ଶୁଣ ଅସୁର ଭୂପାଳ।

ଏ କଥାରେ ମୁହିଁ କିପାଁ ହୋଇବି ବିକଳ ।

ଭୁଞ୍ଜିବୁ ଯେତେ ତୁ ଶିରୀ ଆମ୍ଭର ସେ ସୁଖ ।

ଗୋଟିଏ କଥାକୁ ମୋତେ ଲାଗୁଅଛି ଦୁଃଖ ।

ନୋହିଲେ କି କରନ୍ତି ମୁଁ ଏଡ଼େବଡ଼ କ୍ରୋଧ

ଶୁଣି ଦୈତ୍ୟ ଧଇଲା ଯାଇ ମୁନି ପାଦ ।

ବୋଇଲା ଯେ ତାହା ଆଗ କହ ମୋତେ କିସ ।

ନାରଦ ବୋଇଲେ ରାଜା ସ୍ଥିର ହୋଇ ବସ ।

ଋଷିର ବଚନେ ରାଜା ବସିଲା ନିଃଶବ୍ଦେ।

ନାରଦ ମୁଖୁ ଫିଟିଲା କଥା ପଦେ ପଦେ ।

ବୋଲନ୍ତି ସାବଧାନେ ହୋ ଶୁଣ ଦୈତ୍ୟନାଥ

ତୋହର ଶତ୍ରୁ ଆସିଣ ମଞ୍ଚେ ହେଲା ଜାତ ।

ଜମ୍ବୁଦ୍ୱୀପ ମଧ୍ୟରେ ଯେ ବଦରିକା ଦେଶ ।

ତହିଁରେ ଅଟନ୍ତି ବିପ୍ର ରାଜା ସୂର୍ଯ୍ୟବଂଶ ।

କୃଷ୍ଣବଲ୍ଲଭ ବୋଲିଣ ଅଟେ ତାର ନାମ ।

ତାର ଘରେ ପୁତ୍ର ବେନି ହେଲେ ଆସି ଜନ୍ମ ।

ତୋହର ଭାରା ପୃଥିବୀ ନ ପାରିଲା ସହି।

ଜନମିଲେ ବିଷ୍ଣୁ ଆସି ନରଦେହେ ବହି ।

ଜ୍ୟେଷ୍ଠ ତନୟର ନାମ ନୃସିଂହଟି ଜାଣ ।

କନିଷ୍ଠ ପୁତ୍ରର ନାମ ଶେଷ ଦେବ ପୁଣ ।

ଜନମ ହେଲା ଦିନରୁ ବହୁ ଲୀଳା କଲେ ।

ନୃସିଂହ ରାହାସ କରି ବ୍ରତବିଧି ହେଲେ ।

ବହୁ ବିଦ୍ୟା ଶିଖି ସଧ୍ୟ କଲେ କ୍ଷତ୍ରିବୃତ୍ତ।

ରାଜ୍ୟରେ ରାଜା ହୋଇଣ ପାଳନ୍ତି ଜଗତ ।

ବରୁଣପୁରକୁ ଯାଇ ଲଖକୁ ବିନ୍ଧିଲେ ।

ସେ ଲାଖେ ସବୁଙ୍କୁ ଜିଣି କନ୍ୟାକୁ ଆଣିଲେ

ଶ୍ରୀମହାଲକ୍ଷ୍ମୀଙ୍କୁ ବିଭା ହେଲେ ଜଗନ୍ନାଥେ ।

ବରୁଣପୁରୁ ଆସି ଗରୁଡ଼ଧ୍ୱଜ ରଥେ ।

ବଦ୍ରିକାପୁରେ ରହିଲେ ଯାଇଁ ଗଡ଼ ବାନ୍ଧି

ଆନନ୍ଦବନ ରୋପିଲେ ତହିଁ ଦୟାନିଧି ।

ତହିଁ ମଧ୍ୟେ ଯଜ୍ଞବେଦୀ ଅତି ଶୋଭାବନ।

ଚାରିସସ୍ର ଯୁଣ ତୋଟା ଅତି ବିତପନ ।

ତହିଁ ପାରୁଶେ ଅଛନ୍ତି ପ୍ରଭୁ ନିଜେ ରହି ।

କରନ୍ତି ତୋହର ମୃତ୍ୟୁ ଚିନ୍ତା ଭାବଗ୍ରାହୀ ।

ଯେବଣ କଳାରେ ତୁହି ଦିଗବିଜେ କଲୁ।

ବିଷ୍ଣୁଙ୍କୁ ପୋଡ଼ିଲୁ ବୋଲି ମୋତେ କହିଥିଲୁ ।

ତୋର ମୁଖୁ ଶୁଣି ମୁହିଁ କରିଥିଲି ଶ୍ରଦ୍ଧା।

ଏବେ ବିଷ୍ଣୁ ଜନ୍ମଦେଖି ଲାଗେ ମୋତେ ବାଧା ।

ମୁଁ ପାଞ୍ଚୁ ଥାଇ ମୁରର ବୈରୀ ସିନା ହରି

ହରି ପୋଡ଼ିମଲା ଆଉ କେହୁ ଅଛି ସରି ।

ତିନିପୁରେ ରାଜା ହେଲୁ ବୋଲି ଜାଣିଥିଲି

ତୋହ ଶତ୍ରୁକୁ ଦେଖିଲି ଏବେ ଯାଇ କାଲି ।

ବଦିରିକାପୁରେ ପ୍ରଭୁ ଛନ୍ତି ବିଜେ କରି।

ସପ୍ତଦଶ ବର୍ଷ ହୋଇଅଛି ସମସରି

ଅତିଅନ୍ତ ସୁନ୍ଦର ସେ ଦିଶେ ବଳବନ୍ତା।

କ୍ଷତ୍ରିପଣେ ଯୋଗ୍ୟ ତାକୁ କେ ହେବ ଶକତା ।

ତାହା ଦେଖିକରି ମୋତେ ଲାଗେ ବଡ଼ଭୟେ

ବିକାଶୁଛି ତେଜମାନ ଧ୍ରୁବଲୋକ ଯାଏ ।

ଏହା ଦେଖିବାରୁ ତହିଁ ଅଇଲି ପକାଇ।

ପାଞ୍ଚିଲି ରାଜାକୁ ଆଗ କହିବି ଯେ ଯାଇ ।

ଶ୍ରୀବିଷ୍ଣୁଙ୍କୁ ଦିଗ ବିଜେକାଳେ ଥିଲୁ ପୋଡ଼ି ।

ସେହି ବିଷ୍ଣୁ ଏବେଆସି ଜନ୍ମିଲା ବାହୁଡ଼ି ।

ବିଷ୍ଣୁଙ୍କୁ ପୋଡ଼ିଲୁ ବୋଲି ତୁହି ଅଛୁ ଜାଣି ।

ଏବେ ବଦ୍ରିକାରେ ଜନମିଲେ ଚକ୍ରପାଣି ।

ଶୁଣିଲଇଁ ସେ ପୁତ୍ରଙ୍କ ମୁଖୁଁ ଯେଉଁ ଆଣ୍ଟ।

ତାହା ଶୁଣିଲେ କରିବୁ ରାୟେ ପରା ରୁଷ୍ଟ ।

ବୋଇଲେ ବଢ଼ିବୁ ଯେତେ ବେଳେ ଆମେ ଦୁହେଁ ମୁରକୁ ମାରିଣ ସୃଷ୍ଟି ପାଳିବୁ ଏ ଦେହେଁ ।

ଦେବତାମାନଙ୍କୁ ଆଣି ବସାଇବୁ ସ୍ୱର୍ଗେ ।

ମଞ୍ଚପୁରେ ନରେ ଥିବେ ପାତାଳରେ ନାଗେ ।

ଏମନ୍ତ ବୋଲି କହନ୍ତେ ଦୁହେଁ ହୋଇ ମତ୍ତ।

ତାହା ଶୁଣି ଚିନ୍ତା ମୋତେ ଲାଗେ ଅପ୍ରମିତ ।

ତେଣୁ କରି ଚିନ୍ତାରେ ମୁଁ ନ ପାରଇ ଉଠି

ତୋରପରା ଭାଇକି ସେ ମାରିବେ ଯେବେଟି ।

କୁଶଳରେ ଥିଲେ ତୁହି ମୋର ବଡ଼ କାର୍ଯ୍ୟ ।

ମୁହିଁ କହିବାରୁ ଜଣା ହେଲା ତୋରେ ଆଜ ।

ଉପାୟ କରିଣ ତୁହି ମରାଇବୁ ଭଲେ।

ହୃଦୟରେ ରଖ ଶତ୍ରୁ ମଞ୍ଚରେ ଜନ୍ମିଲେ ।

ଆଜିଠାରୁ ରହି ତୁହି ହୋଇଣ ସତର୍କ।

ନାନା ଉପାୟ କରିଣ ମରା ପୁଣ୍ୟଶ୍ଳୋକ ।

ନାରଦଙ୍କ କଥା ଶୁଣି ପାଞ୍ଚେ ଦୈତ୍ୟ ଆସି।

ବୋଲେ ସତ୍ୟକଥା ଆସି କହିଲ ହେ ଋଷି ।

ବରୁଣ ପୁରକୁ ଯାଇ ବିନ୍ଧିଲେ ସେ ଲାଖ।

ସତକଥା ସେହୁ ଅଟେ ଜାଣ ପଦ୍ମମୁଖ ।

ତେଡ଼େ ଲାଖ ବିନ୍ଧି ଯେବେ କନ୍ୟାକୁ ଆଣିଛି

ନିଶ୍ଚେ ବଦରିକା ଦେଶେ ଜନ୍ମିଲେ ଶ୍ରୀବତ୍ସି ।

ଈଶ୍ୱରଙ୍କ କଥା ଏବେ ହେଲା ଆସି ସତ ।

ବର ଦେଲା ବେଳେ କହିଥିଲେ ବିଶ୍ୱନାଥ ।

ବୋଇଲେ ବଦରିଦେଶେ ଜନ୍ମିବେ ଗୋବିନ୍ଦ

ହେୟଜ୍ଞାନ କଲେ ତୋତେ ହୋଇବଟି ମନ୍ଦ ।

ଏବେ ତ ଶୁଣିଲେ ସେହି କଥା ମୁନି ମୁଖୁଁ ।

ପ୍ରତ୍ୟକ୍ଷ୍ୟେ ଆସି ଫଳିବ ଏବେ ଦେଖୁ ଦେଖୁ ।

ମୁନିଙ୍କ ଦୟା ଥିବାରୁ କହିଲେଟି ଆସି।

ଉପାୟ କରି ଆଣିବ ଏବେ ବ୍ରହ୍ମରାଶି ।

ମନୁଷ୍ୟ ଦେହେ ଜନ୍ମିଛି ସିନା ଜଗନ୍ନାଥ।

ହସ୍ତରେ ପଡ଼ିଲେ ପ୍ରାଣ ନେବି ମାରି ମୁଥ ।

ଏସନ ପାଞ୍ଚିଣ ମୁର ମୁନି ପାଦତଳେ।

ଶତେବାର ପ୍ରଣାମ ଯେ କରି ସେହୁ ଲୋଳେ ।

ବହୁ ପୁରୁଷାର୍ଥ କରି କହଇ ଅସୁର।

ବୋଇଲେ ବିଷ୍ଣୁକୁ ମୋର ତିଳେନାହିଁ ଡର ।

ଜନ୍ମିଛନ୍ତି ଜମ୍ବୁଦ୍ୱୀପେ ଜାମିଲେ ଶ୍ରୀହରି।

କାଲି ଦୂତ ପେଷିଣ ଯେ ଅଣାଇବି ଧରି ।

ବୁଝିଲେ ସଚରାଚର ଭୂମି ମୋର ଏକା ।

ଏହା ନ ପାଞ୍ଚିଲା କେହ୍ନେ ଜନ୍ମିଲା ବଦ୍ରିକା ।

ଭୋ ମୁନି ଦୂତ ପେଷିଣ ଅଣାଇବା କାଲି।

ନ ଆସିଲେ ବଂଶଯାକ ମାରିବି ମୁଁ ବୁଲି ।

ଏତେ ବୋଲି ମୃରାସୁର ଝମକାଇ ମୁଷ୍ଟି

କୁରାଳଚକ୍ର ପ୍ରାୟେକ ବୁଲାଇଲା ଦୃଷ୍ଟି ।

ବେଳକୁ ବେଳ ଉଠିଲା ରାଜା କୋପକରି ।

ନିଃଶବ୍ଦ ହୋଇଣ ଲୋକେଛନ୍ତି ସଭା ପୂରି ।

ଦୈତ୍ୟ କୋପ ଦେଖି ମୁନି ହୁଅନ୍ତି ଆନନ୍ଦ ।

ପାଞ୍ଚନ୍ତି ନିଶ୍ଚେ ଏହାକୁ ମାରିବେ ଗୋବିନ୍ଦ ।

ଅସୁର ଛାର ବେଳକେ ପାରିବ କି କରି ।

ଯେଉଁ ନାରାୟଣ ପ୍ରଭୁ ଯେଉଁ ରୂପ ଧରି ।

କୋଟି କୋଟି ସୃଷ୍ଟିଯାକ ଯାର ଲୋମମୂଳେ

ଏହି ଦୈତ୍ୟ ତାର କିସ କରିପାରେ ବଳେ ।

ଏହାର ବିନାଶ ପାଇଁ ଜନ୍ମିଛନ୍ତି ସେହୁ ।

କି ହେବ କରିଲେ କୋପ ନାଶଯିବ ଏହୁ ।

ବକ କୋପ କରିଲେ କି ଡରଇ ସଞ୍ଚାଣ

ସିଂହ ଆଗରେ ମୃଗର ରହଇ କି ଟାଣ ।

ସର୍ପର ଗର୍ଜନ ଶୁଣ ଗରୁଡ଼ କି ଡରେ ।

ମୂଷିକକୁ ମାର୍ଜାର କି କେବେ ଭୟ କରେ ।

ବ୍ୟାଘ୍ର ଆଗେ ଛାଗଳ କି ରହେ ଆଣ୍ଟକରି

ମୁରର ଧମକ ଯାକ ଅଟେ ସେହିପରି ।

ଏତେ ପାଞ୍ଚି ଋଷି ପୁଣି କହନ୍ତି ରାଜାଙ୍କୁ।

ବୋଲନ୍ତି ବିଚାରି କାର୍ଯ୍ୟ କର ବାବୁ ତାଙ୍କୁ ।

ଆପେ ଜୀଇଁଥିଲେ ସିନା ସବୁ ଯଶ ମିଳି

ଆମ୍ଭେ କି କହିବୁ ତୁହି ଅଟୁ ମହାବଳୀ ।

ପୀରତି ଅଥବା କର ଯୁଦ୍ଧ ଅବା କର ।

ନାନା ପରକାରେ ତୋର ବଇରୀ ସଂହାର ।

ଆସନୁ ଉଠିଲେ ଏତେ କହି ମହାଯତି।

ମନ ପବନ ଆରୋହି ଗଲେ ଯଶୋବନ୍ତି ।

ବିଷ୍ଣୁ ଜନ୍ମ ଶୁଣି ମୃରାସୁର ର ଚିନ୍ତା ଓ ଅଶୀଳକୁ ବଦରିକାଶ୍ରମେ ପ୍ରେରଣ

କହନ୍ତି ବେଦବ୍ରହ୍ମା ଶୁଣ ହୋ ନାରଦ ।

ଶ୍ରୀହରି ଜନମ ଶୁଣି ମୁର କଲା ଖେଦ ।

କି କରିବି ବୋଲି ସେହୁ ହୁଅଇ ବ୍ୟାକୁଳ ।

ଅସମ୍ଭାଳେ ଶରୀରରୁ ବହେ ଶ୍ରମଝାଳ ।

ଯହିଁ ଚାହେଁ ତାହା ତାକୁ ନ ଲାଗଇ ସୁଖ।

କେ ଆସି କହିଲେ କଥା ହୁଅଇ ବିମୁଖ ।

ବୁକୁ ଥରୁଥାଇ ଖରେ ନିଶ୍ୱାସ ଛାଡ଼ଇ ।

ହାଇ ଫରହର ଲୁହ ଝର ଝର ବହି ।

ଭୁଞ୍ଜିବା ତାମ୍ବୁଳ ତାକୁ ବିଷ ପ୍ରାୟ ଲାଗେ।

କୁଳାଳଚକ୍ର ପରାୟ ବୁଲେ ମନ ବେଗେ ।

କ୍ଷଣ କ୍ଷଣକରେ ଚିତ୍ତ ହୁଏ ଆନ ଆନ।

ସଭା ମଉଳି ଚଳିଲା ଆପଣା ଭୁବନ ।

ଦିବସ ତ ନ ସରଇ ରାତ୍ରେ ନିଦ୍ରା ନୋହେ।

ଅମୃତ ଯୋଗାଡ଼କୁ ସେ ମଣେ ବିଷପ୍ରାୟେ ।

ମନ ମଧ୍ୟେ ବିଚାରଇ କଲି ବହୁ ଭୋଗ ।

ଲେଖନ୍ତେ ପୂର୍ଣ୍ଣ ହୋଇବ କୋଟି ଗଣ୍ଡା ଯୁଗ ।

ତେତିଶ କୋଟି ମୋହର ନଗ୍ରେ ଛନ୍ତି ରାଣୀ ।

ମଦନାବତୀ ରାଣୀ ଯେ ସର୍ବଶିରୋମଣି ।

ସତର ଲକ୍ଷ ପୁତ୍ର ଯେ ନାତି ନବଲକ୍ଷ।

ଏ ରୂପେ କୁଟୁମ୍ବ ମୋର ଅଛନ୍ତି ଅସଂଖ୍ୟ ।

ସେନାପତିମାନେ ମୋର ଏକୁ ଏକ ରଥୀ।

ମନ କଲେ କ୍ଷଣେ ପୃଥ୍ୱୀ ଜିଣି ସେ ପାରନ୍ତି ।

ରଥୀ ମହାରଥୀ ବୀର ମହାବୀର ଯେତେ ।

ଗଣାଯଆଇ ନ ପାରେ ମୋ ବଳ ଛନ୍ତି କେତେ।

ଚଉରାଶୀ ଲକ୍ଷ ପଦ୍ମ ସୈନ୍ୟ ମୋର ଛନ୍ତି ।

ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ମୁଁ ଏକା ଚକ୍ରବର୍ତ୍ତୀ ।

ଭାଇ ମୋହର ସମାନ ଅଟେ ମହାବୀର।

ପାଇଛୁ ଆମ୍ଭେ ଅକ୍ଷୟ ଅଜ୍ରାମର ବର ।

ପୃଥିବୀ ଥିବାଯାକ ମୁଁ ଅଛି ଦେହ ଧରି।

ଯାହା ମନାସିବ ତାହା ନିଶ୍ଚେ ଯିବି କରି ।

ତେତିଶ କୋଟି ଦେବଯେ ଖଟିଛନ୍ତି ମୋତେ

ମୃତ୍ୟୁ ନ ଲଭନ୍ତି ମୋର ନଗ୍ରେ ଛନ୍ତି ଯେତେ ।

କାଳଦଣ୍ଡ ଘେନି ଯମ ଜଗିଥାନ୍ତି କତି ।

ଅଗ୍ନି ଦେବତା ସମ୍ପାଦୁତାନ୍ତି ପାକ ନିତି ।

ଚନ୍ଦ୍ର ସୂର୍ଯଅୟ ବେନି ଦ୍ୱାରି ଥାନ୍ତି ସର୍ବଦାଏ ।

କୁବେର ଯୋଗାଏ ଅଳଙ୍କାରେ ରତ୍ନମୟେ ।

ମରୁତ ଦିଅଇ ଫୁଲ ଚନ୍ଦନ କୁଙ୍କୁମ ।

ବରୁଣ ପାଳଇ ମୋର ଏ ତିନି ଭୁବନ ।

ପବନ ବିଞ୍ଚଣି ଧରି ବିଞ୍ଚେ ମୋତେ ନିତ୍ୟେ।

ନିଦ୍ରାବତୀ ନିଦ୍ରା ଆସି କରେ ନିଶି ହୋନ୍ତେ ।

ଆଉ ଯେତେ ଅଛନ୍ତି ତେତିଶକୋଟି ଦେବା।

ମୋତେ ନିରନ୍ତରେ ଆସି କରୁଥାନ୍ତି ସେବା ।

ସମସ୍ତ ବିଚାରି ମୋତେ ଦେଲେ ଯେ ଟିକିଏ

ତାଙ୍କୁ ବିଳସିବି ମୁହିଁ ପୃଥ୍ୱୀ ଥିବାଯାଏ ।

ପ୍ରତ୍ୟକ୍ଷରେ ଧାତା ମୋର ଅଟଇ ପିଅର ।

ବର ଦେଇ ହର ମୋତେ କଲେ ଅଜ୍ରାମର ।

କିପରି ରସିକ କୃଷ୍ଣବଲ୍ଲଭର ପୋଏ।

କାଲି ଅଣାଇ କରିବି ତାଙ୍କୁ ମୁହିଁ କ୍ଷୟ ।

ଦେଖିଲେ ଜାଣିବି ବିଷ୍ଣୁ ଅଟେ ଅବା କେଡ଼େ

ସ୍ୱର୍ଗ ମର୍ତ୍ତ୍ୟ ପାତାଳ କି ଘୋଟେ ସବୁଆଡ଼େ ।

ତଥାପି ବୁଝିଲେ ଜଳ ସ୍ଥଳ ସବୁ ମୋର

ମୋର ତହୁଁ ବଡ଼ କି ସେ ଅଟେ ଦାମୋଦର ।

କେବଳ ମାତ୍ରକ ଋଷି ଜଣାଇଲେ ଯାହା।

ଭାଳି ମୋର ମନ ଛନ୍ନ ହେଉଅଛି ତାହା ।

ବିଜୟ ରଥରେ ମୁହିଁ ବସିଥାଏ ଯେବେ ।

ଦିଶନ୍ତି କିଞ୍ଚିତେ ମୋତେ ତିନିପୁର ଜୀବେ ।

ଏସନ ବୋଲି ରଜନୀଯାକ ରାଜା ଭାଳି ।

ପାହାନ୍ତି ପହରେ ଶୋଇଲା ସେ ଲଟକାଳି ।

ସେହି ପ୍ରହରକ ମାତ୍ର ଶୋଇଗଲା ନିଦେ ।

ଅରୁଣ ଅନ୍ତେ ଆଦିତ୍ୟ ହେଲେ ଆସି ଉଦେ ।

କାକ ଶୁକ ପିକ ରାବନ୍ତି ଯେ ଘନ ଘନ ।

ମାଗଧେ କରନ୍ତି ଶିବଆଳେ ଶଙ୍ଖସ୍ୱନ ।

ଆସନୁ ଉଠିଲେ ଶଯ୍ୟା ତେଜିଣ ସର୍ବଲୋକେ।

ରାଜାହିଁ ଉଠିଲା ମଧ୍ୟ ହୋଇଣ ଉତ୍ସୁକେ ।

ରାଜନୀତି କର୍ମବିଧି ସାରିଣ ତ୍ୱରିତ ।

ବଦରିକା ପେଷିବାକୁ ଅଣାଇଲା ଦୂତ ।

ରତ୍ନ କଠାଉ ମାଡ଼ିଣ ସଭାକୁ ଅଇଲା।

ଶିବ ଶିବ ସୁମରିଣ ଆସନେ ବସିଲା ।

ଏକାନ୍ତ କରିଣ ଡାକି ଆଣିଲା ଅଶୀଳ ।

ଗୌରବ କରି କହିଲା ତାକୁ ମହୀପାଳ ।

ବୋଇଲା ବାବୁରେ ତୁହି ଏହିକ୍ଷଣି ଯିବୁ ।

ବଦରିକା ଦେଶେ ଯାଇ ବାର୍ତ୍ତା ଆଣିଦେବୁ ।

କୃଷ୍ଣବଲ୍ଲଭର ପୁଣି ଛନ୍ତି ବେନି ସୁତ ।

ରଥରେ ବସାଇ ତାକୁ ଆଣିବୁ ତ୍ୱରିତ ।

ଆମ୍ଭ ଆଜ୍ଞା ବୋଲି ତାଙ୍କୁ କହିବୁ ବତାଇ।

ବୋଲିବୁ ପୁଅକୁ ଘେନି ଆସ ଶୀଘ୍ର ହୋଇ।

ନୋହିଲେ ତୁହି ଯେବେ କି ଆସି ନ ପାରିବୁ

ପୁଅଙ୍କୁ ଦିଅ ତୋହର ସଙ୍ଗେ ଆମ୍ଭେ ନେବୁ ।

ଅପାର ବେଦ ବିଦ୍ୟା ଯେ ଅଛନ୍ତି ସେ ଶିଖି।

ଧନୁ ଶସ୍ତ୍ର ସାଧି ରହୁଛନ୍ତି ମନେ ରଖି ।

ସଭାରେ ପଡ଼ିଛି ତାଙ୍କ ଯଶ କାଲିଠାରୁ।

ରାଜା ବୋଇଲେ କରିବା ତାଙ୍କୁ ବିଦ୍ୟାଗୁରୁ ।

ଯେତେକ ପୁତ୍ର ଆମ୍ଭର ଅଛନ୍ତି ନବରେ ।

ସମସ୍ତେ ବିଦ୍ୟା ପଢ଼ିବେ ଯାଇ ତାଙ୍କଠାରେ ।

ବିଦ୍ୟାଗୁରୁ ହୋଇଣ ସେ ଘେନିବେଯେ ପୂଜା ।

ଏମନ୍ତ କହି ପେଷିଲେ ମୋତେ ଆମ୍ଭ ରାଜା ।

ଏହିରୂପେ ଅଶୀଳ ହେ କହ ତାକୁ ଯାଇ।

ନ ଆସିଲେ ଉପାୟ ଯେ କରିବି ନା ମୁହିଁ ।

ନାରଦ କହିବାରୁ ଯେ ଲାଗିଲାକ ଭୟେ।

ବିଷ୍ଣୁ ଯେ ଅଟନ୍ତି କୃଷ୍ଣବଲ୍ଲଭର ପୋୟେ ।

ମୋହ ମରଣ ନିଶ୍ଚେ ବିଷ୍ଣୁହାତେ ହେବ।

ବର ଦେବାବେଳେ କହିଛନ୍ତି ସଦାଶିବ ।

ତେଣୁକରି ଲାଗୁଅଛି ତାଙ୍କୁ ବଡ଼ ଭୟେ।

ସାନଦିନୁ ମାଇଲେ ଯେ ଯାନ୍ତା କୁଳକ୍ଷୟେ ।

ସେ ଦୁହେଁ ମଲେ କରିବି ମୁହିଁ କେତେଭୋଗ

ବୁଲିବି ତୁମ୍ଭଙ୍କୁ ଘେନି ଦମ୍ଭେ ଚତୁର୍ଦ୍ଦିଗ ।

ମୃତ୍ୟୁ ଦେବତା ମୋହର ଅଟେ ସେବାକାରୀ।

ବ୍ୟାଧି ଛାର ଆମ୍ଭଙ୍କୁ ଯେ କିସ କରିପାରି ।

ଏଣୁକରି ଅଶୀଳ ହୋ ଯାଅ ତୁହି ବେଗେ।

କୃଷ୍ଣବଲ୍ଲଭ ପୁତ୍ରଙ୍କୁ ଘେନି ଆସ ଶୀଘ୍ରେ ।

ଶୁଣକରି ଅଶୀଳ ଯେ ହେଲା ଶୀଘ୍ର ସଜ ।

ମେଲାଣି ମାଗି ବାହାର ହୋଇଲା ଦନୁଜ ।

ଅଶୀଳର ବଦରିକାଶ୍ରମେ ପ୍ରବେଶ ଓ ମୁରର ବୃତ୍ତାନ୍ତ ବର୍ଣ୍ଣନା

ପ୍ରବେଶ ହୋଇଲେ ଯାଇଁ ବଦରିକା ରାଜ୍ୟେ

ତହିଁରେ କୃଷ୍ଣବଲ୍ଲଭ କରିଛନ୍ତି ବିଜେ ।

ଅସୁର ଯେ କାମରୂପୀ ସୁଖେ ଉଡ଼ିଆସି।

ସଭା ମଧ୍ୟେ ମୂର୍ଖଦୈତ୍ୟ ପଡ଼ିଲାକ ଖସି ।

ଜଗତୀରେ କୃଷ୍ଣବଲ୍ଲଭ ଯେ ବସିଥିଲେ।

ଅସୁରକୁ ଦେଖିଣ ସେ ଚମତ୍କାର ହେଲେ ।

ରାଜାର ପାଶେ ନୃସିଂହ ଅଛନ୍ତି ଯେ ବସି ।

ଶଙ୍ଖ ଚକ୍ର ଗଦା ପଦ୍ମ ଅସୁରକୁ ଦିଶି ।

ଧାତାର ବାମେ ଦକ୍ଷିଣେ ଯେହ୍ନେ ହରିହର।

ସେହିରୂପେ ଦିଶନ୍ତି ସେ ରାଜା ଶୋଭାକର ।

ଛାମୁରେ ଅଛନ୍ତି ପାତ୍ର ମନ୍ତ୍ରୀ ସଭା କରି।

ରାଜ୍ୟର ନିଘା ନିଷ୍ଠା ଯେ ବୁଝନ୍ତି ଗୁହାରି ।

ଏମନ୍ତ ସମୟେ ଯାଇ ମିଳିଲା ଅସୁର।

ବୋଇଲା ରାଜାର ଆଜ୍ଞା ଉଠ ନୃପବର ।

କୃଷ୍ଣବଲ୍ଲଭ ବୋଲନ୍ତି କେଉଁ ଦେଶ ଦୂତ।

ଅଶୀଳ ବୋଲେ ପେଷିଛି ମୋତେ ମୁରଦୈତ୍ୟ।

ଶୁଣିଣ ନୃସିଂହ ପିତା କଲେ ଗଉରବ।

ପୁଚ୍ଛନ୍ତି ଆସନ ଦେଇ କରି ସଦଭାବ ।

କୃଷ୍ଣବଲ୍ଲଭ ବୋଲନ୍ତି କହ ଦୂତ ପଣେ ।

କେବଣ ଚରିତ କହିଛନ୍ତି ନୃପରାଣେ ।

 

ଆମ୍ଭ ଭାଗ୍ୟକୁ ଅଇଲ ତୁମ୍ଭେ ଦୂତ ହୋଇ ।

ଏହା ଶୁଣିଣ ଅଶୀଳ ଛାମୁରେ କହଇ ।

ଆମ୍ଭର ରାଜ ସଭାରେ ପଡ଼ିଛି ବିଷୟ।

କୃଷ୍ଣବଲ୍ଲଭଙ୍କଠାରୁ ଆଣ ବେନି ପୁଅ ।

ତାହା ଶୁଣି ଆମ୍ଭ ରାଜା ଶ୍ରଦ୍ଧା ଛନ୍ତି କରି ।

ଗଲେ ବିଦ୍ୟାଗୁରୁ କରିବେକ ଦଣ୍ଡଧାରୀ ।

ସତରଲକ୍ଷ ଅଛନ୍ତି ପୁତ୍ର ଯେ ତାଙ୍କର ।

ତାଙ୍କୁ ବିଦ୍ୟା ପଢ଼ାଇବେ ତୁମର କୁମର ।

ଅନେକ ଧନ ରତନ ଆଣିବେ ଦକ୍ଷିଣା।

ପୁରୁଷାର୍ଥ କରି ରାଜା କରିବେ କରୁଣା ।

ତୁମ୍ଭେ ତ ଜାଣ ମୁର ମହିମାଟି ଯେତେ।

ନ ଗଲେ ତୁମ୍ଭଙ୍କୁ କୋପ କରିବେ ନିରତେ ।

ଏମନ୍ତ ବୋଲି କହନ୍ତେ ଦୈତ୍ୟ କୂଟକରି      

ଅନ୍ତର୍ଗତ କଥା ତାର ଜାଣିଲେ ମୁରାରୀ ।

କୃଷ୍ଣବଲ୍ଲଭ ନୃପତି ଦୈତ୍ୟ ବାକ୍ୟ ଶୁଣି ।

ରହିଲେ ସ୍ଥକିତ ହୋଇ ଦଣ୍ଡେ ଯାଏ ପୁଣି ।

ମନେ ପାଞ୍ଚିଲେ ବିଷମ କଥା ହେଲା ଆସି

ପୁତ୍ରଦେଇ କେହ୍ନେ ମୂର୍ଚ୍ଛି ରହିବି ମୁଁ ବସି ।

ନାହିଁ ବୋଇଲେତ କୋପ କରିବ ଯେ ମୁର।

ଯାଆନ୍ତୁ ବୋଇଲେ ଶିରୀ ତୁଟିବ ମୋହର ।

କେବଣ ଉପାୟ ଏବେ କରିବି କି ବୁଦ୍ଧି ।

କି ରୂପେ ଯିବ ଏ ଦୈତ୍ୟ କି କହିବି ବୋଧି ।

କେତେ ପୁଣ୍ୟେ ଅର୍ଜିଥିଲି ସେହି ବେନି ପୁତ୍ର।

ପୁତ୍ରେ ଯେ ତାର ଥାଆନ୍ତେ ମୋର କୁଳଗୋତ୍ର ।

ଏ କଥାକୁ ଚଣ୍ଡାଳ ତ ନ ଜାଣିଲା କିଛି ।

ମାଗିଲେ ପୁତ୍ରକୁ ତାର ଦେବ କି ସେ ମୂର୍ଚ୍ଛି ।

ଏ ରୂପେ ମନରେ ପାଞ୍ଚି ସେ ବଲ୍ଲଭ ରାଜା।

ବୋଇଲେ ଏଠାରୁ ତୁହି ବେଗେ ଚଳି ଯାଯା ।

ପୁତ୍ରକୁ ଦେଇ ରଖିବି କେହ୍ନେ ମୋର ଦେହ

ଯାଅ ଆ ଅଶୀଳ ଏବେ ରାଜାଙ୍କୁ ତୋ କହ ।

ଦୁଇ ତିନି ନାହାନ୍ତି ତ ମୋର ଆଉ ଜାଣ ।

କେମନ୍ତେ ପୁତ୍ରକୁ ଦେଇ ରଖିବି ପରାଣ ।

ଏରୂପେ କହି ହୁଅନ୍ତି ରାଜା ଶୋକଭର।

ପିତାର ସେ ମନ କଥା ଜାଣି ଚକ୍ରଧର ।

ହୃଦରେ ପାଞ୍ଚନ୍ତି କଥା ବସି ଭଗବାନ ।

ବୋଲନ୍ତି ଆମ୍ଭେ ହୋଇଛୁ ଦୈତ୍ୟପାଇଁ ଜନ୍ମ ।

 

ନ ଯିବା ବୋଇଲେ ପୁଣ ହେବ ଅସୁନ୍ଦର।

ପିତା ମନ ମୋହ ଯିବା ଦୈତ୍ୟଙ୍କର ପୁର ।

ଅସୁର ମାନେ ଲଭିଲେ ନିଶ୍ଚେ ମୃତ୍ୟୁ ଏବେ ।

ବିଧାତା ଲେଖି ଅଛନ୍ତି ଜାଣି ଯାହା ପୂର୍ବେ ।

ତଥାପି କହିଲେ ନ ଯିବାକୁ ଦୂତ ଆଗେ ।

ଅସୁର ଶୁଣିଣ ଥାଟ ବାହିବ ଏ ଲାଗେ ।

ନାରଦ ଯେ କହିବାରୁ ଜାଣିଲା ସେ ମୋତେ

ବିଷ୍ଣୁ ଜନମିଲେ ବୋଲି ପାଞ୍ଚି ହୃଦଗତେ ।

କପଟ ମନରେ ପାଞ୍ଚି ପେଷିଲା ଯେ ଦୂତ।

ମୁଁ ଯେବେ କପଟେ ଯାଇ ମାରିବି ତାହାନ୍ତ ।

କପଟେ ଆମ୍ଭଙ୍କୁ ନେଇ ରଖି ଘରେ ତାର।

ବୋଲିବି ପୁତ୍ରକୁ ପାଠ ପଢ଼ାଅ ମୋହର

କପଟେ ପଡ଼ିବେ ସିନା ପୁତ୍ରେ ଆସି ପାଠ।

ସେଠାରେ ଧର୍ମ ଫେଡ଼ିବ ଆମ୍ଭର ସଂଙ୍କଟ।

ପାପ ପାଞ୍ଚିଥିଲେ ପାପୁ ହେବ ଅଳ୍ପାୟୁଷ

ନାତି ପୁଅଆଡ଼ୁ ଛିଡ଼ିଯିବ ତାର ବଂଶ ।

ଆମ୍ଭର ମହିମା ତାକୁ ଜଣାନାହିଁ କିଛି ।

ଆଜୁ ଖସିଲେ ତାହାର କନ୍ଧୁ କମଳାକ୍ଷୀ ।

ଏ ରୂପେ ପାଞ୍ଚି କହନ୍ତି ପ୍ରଭୁ ଅଶୀଳକୁ।

ବୋଲନ୍ତି ଯେ ଚାଲ କାଲି ଯିବା ରାଜାଠାକୁ ।

ବାପାଙ୍କୁ ମଧ୍ୟ ଆମ୍ଭର ସଙ୍ଗେ ଘେନିଯିବା।

ରାଜାର ଛାମୁରେ ଭେଟି ସର୍ବେ ଜଣାଇବା ।

ସେ ଯେଉଁ ଆଜ୍ଞାଦେବେ ସେ ମାର୍ଗେ ଥିବା ରହି

ଏଥକୁ ମନେ କିଛଇ ନ ଭାବ ଦୂତ ତୁହି ।

ତୋ ସଙ୍ଗେ ମିଶିଣ ଗଲେ ସୁଖେ ହେବ ଭେଟ

ରାଜା ଛାମୁକୁ କଢ଼ାଇ ନେବୁ ତୁହି ବାଟ ।

ଆମ୍ଭ ବିଦ୍ୟା ପଢ଼ା ଯେବେ ଜାଣିବେ ସେ ରାଜା

ଶ୍ରୀବିଦ୍ୟା ଗୁରୁ କରିବେ କରି ପାଦପୂଜା ।

ଗଲା ଉତ୍ତାରୁ କରିବା ପୁଣି ରାଜା ବୋଲ।

ରାଜା ବୋଲ ନ କଲେ ବି କଥା ହେବ ତୁଲ ।

ପିତାଙ୍କୁ ବୋଧି ଆମ୍ଭର ସଙ୍ଗେ ଘେନି ଯିବା ।

ଏଥକୁ ମନରେ କିଛି ନ ଧର ଦାନବା ।

ଗଲେଣି ଆମ୍ଭେହେ କେତେ ବିଦ୍ୟା ପଢ଼ାଇବୁ

ଭଲ ମନ୍ଦ ଦୁଇ କଥା ଜାଗି ଦିନନେବୁ ।

ମନ୍ଦରେ ଯେ ମନ୍ଦ ହେବ ଭଲେ ହେବି ଭଲ

ଏ କଥା ଅଶୀଳ ତୋତେ ଦେଲେ ମୁଁ କାବୁଲ ।

ଗଲେଣ ଯାବତ ବିଦ୍ୟା କରାଇବା ଶିକ୍ଷା।

ଯେ ଯାହା ପାଞ୍ଚିବ ତାକୁ ଦେବା ସେହି ଦୀକ୍ଷା ।

ନଗ୍ରକୁ ତୁମ୍ଭର ଘର ଯୁଣେ ହେବ ଛଡ଼ା।

ସେହିଠାରେ ସାଧାରଣ କରିବା ଆଖଡ଼ା ।

ଆଖଡ଼ାଶାଳ ତ ହୋଇଥିଲେଟି ବିସ୍ତାର ।

କେ ସାଧିବ ଜ୍ଞାନ କେ ସାଧିବ ଧନୁଶର ।

ଖଡ଼ଗ ସାଧିବ କେହୁ ସାଧେ ଛୁରୀ ଖଣ୍ଡା ।

କେହୁ ମାଲ ବିନ୍ଧାଣ କେ ହେବ ପରଚଣ୍ଡା ।

ନାନାଦି ପ୍ରକାର ବିଦ୍ୟା ଏ ସଂସାରେ ଯେତେ

ରାଜାର ପୁତ୍ର ନିର୍ବାଣ ହେବ ଆମ୍ଭ ହସ୍ତେ ।

ସୁବିଦ୍ୟା ଛାଡ଼ି ଲୋଡ଼ିବେ ଯେତେ ମୃତ୍ୟୁବିଦ୍ୟା

ଅପମୃତ୍ୟୁରେ ମରିଣ ଯିବେ ଯମପଦା ।

ଏତେ ବୋଲି ବିଶ୍ୱରୂପ ଧରି ଦେବରାୟେ।

ଦୈତ୍ୟକୁ ଦିଶିଲେ ପ୍ରଭୁ କାଳମୃତ୍ୟୁ ପ୍ରାୟେ ।

ଦେଖିଣ ଅଶୀଳ ଦୈତ୍ୟ କଲା ମନେ ଶଙ୍କା

ବୋଇଲା ଗଲେ ଏ ନିଶ୍ଚେ ବିନାଶିବେ ଏକା ।

ବାହୁଡ଼ିଗଲେ ବୋଲଣା ସିନା ମୋତେ ଅଛି ।

ତାହା ତ ହେବ ବିଧାତା ଯାହା ନିଯୋଗିଛି ।

ବିଷ୍ଣୁଙ୍କୁ ଶତ୍ରୁତାପଣେ ଦେଖି ଡକାଇଲା

କୋଦଣ୍ଡା ବୁଝାମଣା ତ ନିଶ୍ଚେ ଜଣାଗଲା

ମରଣ କାଳକୁ କଲା ବିପରୀତ ବୁଦ୍ଧି

ବନ୍ଦେର ରଖିବ ଘରେ ନେଇ ଦୟାନିଧି ।

ଯାହାଇଚ୍ଛା ତାହା ହେଉ ମୋର କିସ ଗଲା

ବିଷ୍ଣୁଙ୍କୁ ଆଗ ନେବି ସେ କଥା ମୂଳ କଲା ।

 

ଏତେକ ପାଞ୍ଚି ଅଶୀଳ କଲା ମନବୋଧ

ଏଥୁ ଅନନ୍ତରେ ବାଣୀ ଶୁଣ ହେ ନାରଦ ।

ମୁରର ଚିଟାଉ ପଢ଼ି କୃଷ୍ଣବଲ୍ଲଭର ଚିନ୍ତା

ନୃସିଂହ ବିଜେ ହୁଅନ୍ତେ ସଭା ମଉଳିଲା

ତହିଁ ଉତ୍ତାରୁ କହିବା କଥା ଶୁଣ ଭଲା ।

ପୁତ୍ରକୁ କୃଷ୍ଣବଲ୍ଲଭ ରାଜା ସଙ୍ଗେ ଘେନି।

ବିମନେ ଗୃହେ ବସିଲେ ଯାଇ ହୋଇ ତୁନି ।

ପିତାର ବିସ୍ମୟ ମନ ଦେଖି ଦୟାନିଧି ।

ଆନନ୍ଦେ ହସି କହନ୍ତି ପିତା ଚିତ୍ତ ବୋଧି ।

ବୋଲନ୍ତି ତୁମ୍ଭଙ୍କୁ ଅଛି ଆମ୍ଭ ମାର୍ଗ ଜଣା

ଏ କଥା ଛାରକୁ ପିତା କର କିପାଁ ଘୃଣା ।

କାଲି ଘଉଡ଼ି ଦେବଇଁ ଜାଣ ଅସୁରକୁ।

ଏଥକୁ ଚିନ୍ତା ଯେ ତୁମ୍ଭେ ନକର ଆମ୍ଭଙ୍କୁ ।

ସେ ଦୈତ୍ୟ କଥା ଲାଗିଲା ମୋତେ ଜାଣ ପିତା

ଆମ୍ଭେ ଥାନ୍ତେ ତୁମ୍ଭଙ୍କୁ ତ କିପାଁ ଏଡ଼େ ଚିନ୍ତା ।

ପିତା ଆଗେ ପୁତ୍ର ଯେବେ ହୋଏ ସଭାଯୋଗ୍ୟ

ପିତାଙ୍କୁ ସଂସାରେ ତେବେ ହୁଏ କେଡ଼େଭାଗ୍ୟ।

ଶାଶୁଙ୍କ ଆଗେ ପ୍ରଶଂସା ଯେବେ ବଧୂପାଏ

ସେ ବଧୂଙ୍କୁ ବଂଶଯାକ ମାନି ଲକ୍ଷ୍ମୀ ପ୍ରାୟେ ।

ଯେ ପ୍ରାଣୀ କରନ୍ତି ଧନଅର୍ଜି ଦାନ ପୁଣ୍ୟ

ମନୁଷ୍ୟଯାକେ ପବିତ୍ର ଅଟେ ସେହୁ ଜନ ।

ଦେହ ବହିଣ ଯେ ଜନ କରେ ନାନା ତୀର୍ଥ

ତାହାର ଜୀବନ ଗୋଟି ଅଟଇ କୃତାର୍ଥ ।

ସେ ଯେଉଁ ଦେଶକୁ ଯାଏ ପବିତ୍ର ସେ ମହୀ

ତାହାଙ୍କୁ ସେବିଲା ଲେକ ବିଷ୍ଣୁଙ୍କୁ ଯେ ପାଇ ।

ପିତା ମାତାଙ୍କର ସେବା କରନ୍ତି ଯେ ପୁତ୍ର

ସେ ପୁତ୍ରକୁ କୁଳଦ୍ୱୀପ ବୋଲନ୍ତି ଜଗତ ।

ତୁମ୍ଭର କି ଭୟ ପିତା ଆମ୍ଭ ଥିବାଠାରେ।

ସାକ୍ଷାତେ ବିଷ୍ଣୁ ଜନ୍ମିଛୁ ଆସି ତୁମ୍ଭ ଘରେ ।

ଯାହାର ପୁତ୍ର ଅନନ୍ତ ବାସୁଦେବ ବେନି

ବ୍ରହ୍ମାଣ୍ଡ କର୍ତ୍ତା ବୋଇଲା ମୋତେ ସର୍ବପ୍ରାଣୀ ।

ମୁରକୁ ମାରିବା ପାଇଁ ଜାଣ ଆମ୍ଭ ଜନ୍ମ।

ବ୍ୟର୍ଥେ ଡରୁଅଛ ରଖି ଘରେ ପରଂବ୍ରହ୍ମ ।

କ୍ଷୀର ସିନ୍ଧୁରେ କହିଲେ ଦେବେ ଯାହା ମୋତେ

ନିର୍ମଳ କରିଣ ଶୁଣ କହୁଛି ତା ଗୁପ୍ତେ ।

ମୁରକୁ ମାରିବା ପାଇଁ ଆମ୍ଭେ ଏଥେ ଜାତ

ଷୋଳ ବର୍ଷ ସେ ଗଲାଣି ଆମ୍ଭର ବାଳୁତ ।

ଦେଖିଲ ପରା ବରୁଣ କଲା କେଡ଼େ ଲାଖ

ସେ ଲାଖ ବିନ୍ଧି ଲକ୍ଷ୍ମୀଙ୍କି ନେଲେ ପଦ୍ମମୁଖ ।

ଏମନ୍ତେ ସେ ପଦ୍ମମୁଖ ତୁମ୍ଭ ଗୃହେ ଥାଉଁ

ଦୈତ୍ୟ ଛାରକୁ ଡ଼ରିଣ ଅଧୈର୍ଯ୍ୟ ଯେ ହେଉ।

ତହିଁକି ଉପାୟ ଏବେ କହୁଛି ତା ଶୁଣ

ମାୟାମୂର୍ତ୍ତି ସଙ୍ଗେ ତାର ପେଷିବଟି ବାଣ ।

ଆମ୍ଭେ ଆଉ ନ ଯିବୁ ନକର ତୁମ୍ଭେ ଚିନ୍ତା

ଶୁଣି ମନେ ହର୍ଷ ହେଲେ ନୃସିଂହର ପିତା ।

ନୃସିଂହ ବୋଧି କହନ୍ତେ ଭୟ ଗଲା ଛାଡ଼ି

ଉଠିଲେ କୃଷ୍ଣବଲ୍ଲଭ ହସ୍ତେ ନିଶ ମୋଡ଼ି ।

ବୋଇଲେ ଏଡ଼େକ ପ୍ରଭୁ ଅଟେ ମୋର ପୁତ୍ର

ତରିବୁ ଭବୁ ଉଦ୍ଧାରି ମୋର କୁଳ ଗୋତ୍ର ।

ଦୁଃଖୀର ସଙ୍ଖାଳି ମୋର ଅଟ ଭକ୍ତ ବନ୍ଧୁ

ଦରିଦ୍ର ଲୋକର ଧନ କୃପାଜଳ ସିନ୍ଧୁ ।

ତୁମ୍ଭଙ୍କୁ ଦେଖିଥିଲେ ଯେ ଭୟ ହୁଏ ପାରି

ମୁରକୁ ମାରିଣ ଏବେ ରଖ ବସୁନ୍ଧରୀ ।

ମୁହିଁ ଜାଣିଥିଲି ତୁମ୍ଭେ ମୋର ପୁତ୍ର ବୋଲି

ସାକ୍ଷାତରେ ବିଷ୍ଣୁ ବୋଲି ଏବେ ଯେ ଚିହ୍ନିଲି ।

ଶୁଣିଣ ନୃସିଂହ ସ୍ୱାମୀ ଆନନ୍ଦ ହୃଦୟ

ପିତାଙ୍କ ମନ ଘେନିଣ କଲେ ମାୟାମୋହ ।

ଜୟ ନୃସିଂହ ମହିମା ଅତି ଅଗୋଚର

ପିତାଙ୍କୁ ଘେନି ମନ୍ଦିରେ ମିଳି ଚକ୍ରଧର ।

ସ୍ନାନ ସନ୍ଧ୍ୟା ତରପଣ ଦେବାର୍ଚ୍ଚନ ସାରି

ମଣେହି ଘରେ ବସିଲେ ଯାଇଁ ନରହରି ।

ବେନି ପୁତ୍ର ଘେନି କୃଷ୍ଣବଲ୍ଲଭ ଯେ ରାଜା

ବସିଲେ ଗ୍ରାସ କରିଣ ବିଷ୍ଣୁ କରି ପୂଜା ।

ଷଡ଼ରସେ ମହାଲକ୍ଷ୍ମୀ ସମ୍ପାଦନ୍ତି ଯୋଗ

ନିତ୍ୟେ ଷାଠିଏ ପଉଟି ଶ୍ରୀ ନୃସିଂହ ଭୋଗ ।

ଶ୍ରୀ ନୃସିଂହ ଭୋଗ ଅନ୍ତେ ଯେତେକ ବଳଇ

ଭୁଞ୍ଜନ୍ତି ଚୌଷଠି ସସ୍ର କନ୍ୟା ତୋଷ ହୋଇ ।

ଏହି ରୂପେ ନୃସିଂହର ଚାରି ଅବତାରେ

ଷାଠିଏ ପଉଟି ରନ୍ଧା ହେବଟି ରୋଷରେ ।

ନୃସିଂହ ଶ୍ରୀ ରଘୁନାଥ କୃଷ୍ଣ ଜଗନ୍ନାଥ

ଏହି ଚାରି ଅବତାରେ ପ୍ରସାଦ କୃତାର୍ଥ ।

ଶ୍ରୀବିଷ୍ଣୁ ମଣୋହି ଅନ୍ତେ ଶ୍ରୀମୁଖ ପ୍ରସାଦ

ଯେ ସେବାକରଇ ତାକୁ ତାରନ୍ତି ଗୋବିନ୍ଦ ।

ତଥାପି ଉଦର ପୁରାହୋଇ ନ ମିଳିଲେ

ନିତ୍ୟେହେଁ ନିର୍ମାଲ୍ୟ ସେବା କରିବଟି ହେଲେ ।

ଶ୍ରୀ ନୃସିଂହ ପ୍ରସାଦର ଏ ରୂପ ମହିମା

ଶୁଣ ବାବୁରେ ନାରଦ କହନ୍ତି ଯେ ବ୍ରହ୍ମା ।

ବସାଇ ପତି ପୁତ୍ରଙ୍କୁ ଭଗବତୀ ମାଏ

ଲକ୍ଷ୍ମୀ ସମ୍ପାଦିକା ପାକ ପରଶିଣ ଦିଏ ।

ପରମଲକ୍ଷ୍ମୀ ସମ୍ପାଦିଛନ୍ତି ଯହିଁ ପାଗ

ତହିଁକି ଅପୂର୍ବ ନରସିଂହ ଖଞ୍ଜା ଭୋଗ ।

ମଣୋହି ସାରିଣ ପ୍ରଭୁ ମୁଖ ପଖାଳିଲେ

ସଭାକୁ ରତ୍ନ ପାଦୁକା ଚଢ଼ି ବିଜେ କଲେ ।

ଚାମର ଆଲଟ ପିଞ୍ଛ ପଡ଼େ ଚଉକତି

ସିଂହାସନେ ବସିଲେକ ଯାଇ ଜଗଜ୍ୟୋତି ।

ଶେଷଦେବ ସହିତେଣ ବସିଲେ ସେ ସଭା

ନୀଳଗିରି ଜଗନ୍ନାଥ ପ୍ରାୟ ଦିସେ ଶୋଭା ।

ଦେଖିଲା ଲୋକଙ୍କ ଦେହ ହୋଇଯାଏ ମୋକ୍ଷ

ପରମ ଦୟାଳୁ ସେହି ପ୍ରଭୁଙ୍କ ପଙ୍କଜାକ୍ଷ ।

ପାତ୍ର ମନ୍ତ୍ରୀ ଅମାତ୍ୟହିଁ ଯେତେ ବସିଛନ୍ତି

ସମସ୍ତଙ୍କ ସାମାନ୍ୟେ ଶ୍ରୀଆଜ୍ଞା ପ୍ରକାଶନ୍ତି ।

ରାଜ୍ୟର ଗୁହାରି ଭଲମନ୍ଦ ଯେତେ ପଡ଼େ

ବୁଝନ୍ତି ପ୍ରଚ୍ଛିନ୍ନ କରି ତାହା ଯୋଗାରୁଢ଼େ ।

ଯାହାର ପୂର୍ବରୁ ଯେଉଁ ସେବା ଲେଖା ଥାଇ

ତାହାକୁ ଛଡ଼ଇ ଆନେ ଦ୍ୟନ୍ତି ଭାବଗ୍ରାହୀ ।

ଅଛନ୍ତି ଛପନକୋଟି ବର୍ଣ୍ଣେ ଯେତେ ଜୀବ

ସବୁଙ୍କ ଯୋଗାଡ଼ମାନ ଦ୍ୟନ୍ତି ବାସୁଦେବ ।

ପଞ୍ଚାଶକୋଟି ପୃଥ୍ୱୀକୁ ବାହ୍ୟ ଯେତେ ପୁର

ସମସ୍ତଙ୍କୁ ଖଞ୍ଜାଦେଇ ଅଛନ୍ତି ଠାକୁର ।

ଶ୍ରୀଆଜ୍ଞା ପ୍ରମାଣରେ ଯେ ମନ୍ତ୍ରୀ ଚୂଡ଼ାମଣି

ଯେ ଯେତେ ଯୋଗ୍ୟବର୍ତ୍ତନ ଖଞ୍ଜେ ତାକୁ ଆଣି।

ସେବକମାନଙ୍କର ଯେ ସେବା ଚର୍ଚ୍ଚା ବୁଝି

ପଡ଼ି ଖଞ୍ଜି ଆଦି ଅନ୍ତ ସେହୁ ମନ ରଞ୍ଜି ।

କରନ୍ତି ଋଷିମାନଙ୍କ ପାଦପଦ୍ମ ପୂଜା

ବ୍ରାହ୍ମଣଙ୍କୁ ନିତ୍ୟେ ଦାନ ଦ୍ୟନ୍ତି ଦେବରାଜା ।

ଦେବଆଳୟ ମାନଙ୍କରେ ମଣୋହ କରାନ୍ତି।

ପଣ୍ଡିତଜନ ଆଗରେ ଜ୍ଞାନ ପ୍ରକାଶନ୍ତି।

ପରଜାକୁଳମାନଙ୍କୁ ମିଷ୍ଟ ବାକ୍ୟ କହି ।

କୃଷିକ କରାବନ୍ତି ପ୍ରଭୁ ସରିଭାଗ ଦେଇ ।

କରଦାନେ ଲଣ୍ଡ ଭଣ୍ଡ ନ କରି ଲୋକଙ୍କୁ

ପାଳନ୍ତି ପୁତ୍ର ପରାୟ ଦୟାକରି ତାଙ୍କୁ ।

ଆବର ବୁଝନ୍ତି ତୁମ୍ଭେ ଧର୍ମେ ମତି ଦିଅ

ଷଡ଼ଘଡ଼ି ପରିଯନ୍ତେ ବଳଦ ବୁହାଅ ।

ଆଉ ଅଧିକ ବାହିଲେ ଧର୍ମ ତହିଁ ନାହିଁ

ଯେତେ ଅର୍ଜ୍ଜୁଥିଲେ ତାକୁ ଅନ୍ନ ନ ଅଣ୍ଟଇ ।

ବଣିଜ କରିଲା ଲୋକ ସତ୍ୟେ ବିକୁଥିଲେ

ଜୀଇଥିବାଯାଏ ଲକ୍ଷ୍ମୀ ନ ଛାଡ଼ଇ ଭଲେ ।

ମୂର୍ଖଙ୍କୁ କହନ୍ତି ପୁଣ ମଧୁର ବଚନ

ମହାଶାନ୍ତି ଦୟାଳୁ ନୃସିଂହ ଭଗବାନ ।

ଏଥୁଅନ୍ତେ ଯାହା ହେଲା ଶୁଣ ତପୋବନ୍ତେ

ସୁଜାଣ ମନ୍ତ୍ରୀକି ରାଇ କହିଲେକ ଗୁପ୍ତେ ।

ଗୋଟିଏ ଯେ ମୃରାସୁର ପେଷିଅଛି ଦୂତ

ବୋଲେ ପିତାଙ୍କୁ ଆମ୍ଭର ଦିଅ ବେନି ସୁତ ।

ଆମ୍ଭଙ୍କୁ ସେ ନେବାପାଇଁ ବିଚାର କରଛି।

ଏଥକୁ ଯେ ତାତପର୍ଯ୍ୟ ବେଗେ କହ ପାଞ୍ଚି ।

କଥା ବୁଝି ତାହାକୁ କି ପଠିଆଇ ଦେବା

ତୁମ୍ଭ ମନକୁ ପାଇଲେ ଏକଥା କରିବା ।

କେତେବେଳେ କି ରୂପେ ବା ହେବ ଉପଦ୍ରବ

ଦୂତ ମୁଖୁ ଶୁଣି କ୍ରୋଧେ କୌଣପ ବାହିବ ।

ନୃସିଂହ କହନ୍ତେ ଏହିରୂପେ ମନ ବିଡ଼ି

ଶୁଣିଣ ଯେ ମନ୍ତ୍ରୀବର ନମେ ପାଦ ପଡ଼ି ।

ଉଠିଣ ସେ ଉଭା ହୋଇ ଶିରେ ଦେଇ କର

ବୋଲଇ ନୃସିଂହ ଥାନ୍ତେ ଆମ୍ଭର କି ଡର ।

ଭଗବତୀ ମାତା ଗର୍ଭେ ଜନ୍ମ ହେଲାଠାରୁ

ସେହିଦିନୁ ଚିହ୍ନିଛି ମୁଁ ନୃସିଂହାବତାରୁ ।

ତୁମ୍ଭର ପୃଥ୍ୱୀକି ତୁମ୍ଭେ ରଖିବ ନୃସିଂହ

ଆମ୍ଭେ ତ ତୁମ୍ଭ କିଙ୍କର ସେବାକାରୀ ଅଙ୍ଗ ।

ନୃସିଂହ ଏକା ବଦ୍ରିକା ଆଶ୍ରମକୁ ପ୍ରଭୁ

ତୁମ୍ଭର ଯେ ପରଚାର ଆମ୍ଭେ ଅଟୁ ସବୁ ।

ଶ୍ରୀମୁଖେ ଦେବଙ୍କ ଆଜ୍ଞା ଗୋଟି ପ୍ରକାଶିବ

ସେ ଆଜ୍ଞା ନିର୍ମଳ କରି ଆପଣ କହିବ ।

ନୃସିଂହ ବୋଲନ୍ତି ତୁହି ନିଶ୍ଚେ ଅଟୁ ସଖା

ଅବତାର ଗୋଟିକେ ତୁ ମନ୍ତ୍ରୀମୋର ଏକା ।

ଏ ଅବତାରରେ ସୁଜାଣ ମନ୍ତ୍ରୀ ତୁ ଆମର

ତ୍ରେତୟା ଯୁଗେ ସୁମନ୍ତ୍ର ନାମେ ମନ୍ତ୍ରୀବର ।

ଦ୍ୱାପର ଯୁଗେ ସୁରଥ ନାମେ ହେବୁ ମନ୍ତ୍ରୀ

କୃଷ୍ଣାବତାରେ କହିବୁ କଥାମାନ ଯନ୍ତ୍ରୀ ।

ଆମ୍ଭ ଅବତାର ଅନ୍ତେ ଆସିବୁ ବୈକୁଣ୍ଠ

କେ ଆନ କରିବ ଆମ ଆଜ୍ଞା ଏତେ ଆଣ୍ଟ ।

ଶୁଣିଣ ସୁଜାଣ ମନ୍ତ୍ରୀ ଶୋଏ ଗଡ଼ଘାଲି

ବୋଲେ ଶ୍ରୀମୁଖରେ କେଡ଼େ ଆଜ୍ଞା ମୁଁ ଶୁଣିଲି ।

ଆପଣ କରିବେ ଗତି ମୋତେ ସର୍ବକାଳେ

ସେବୁଥିବି ମୁହିଁ ପ୍ରଭୁ ପଦ୍ମପାଦେ ତଳେ ।

ନୃସିଂହ ଆଜ୍ଞା କରିଲେ ସୁଖେ ଥାଅ ରହି

ଦୈତ୍ୟର ସଙ୍ଗେ ଯାଉଛୁ ଆମ୍ଭେ ବେନିଭାଇ ।

ଆମ୍ଭ ଗଲା ଗୁପ୍ତ କଥା କେହି ନ ଜାଣିବେ

ଏକାକେ ଜାଣିଥା ତୋତେ କହିଲୁଟି ଆମ୍ଭେ ।

ଆମ୍ଭେ ଆସିବା ପର୍ଯ୍ୟନ୍ତ ଲାଗେ ତୋତେ ଦେଶ

ଏ କଥା କାହାକୁ ଏକା ନ କର ପ୍ରକାଶ ।

ଆମ୍ଭର ମହିମା ତୋତେ ସବୁ ଜଣା ଅଛି

ମୃରାସୁର କାହିଁପାଇଁ ଆମ୍ଭଙ୍କୁ ଡାକିଛି

ବିଦ୍ୟାଗୁରୁ ହେବାକୁ ଯେ ଚିଟାଉ ଲେଖିଛି

ସେ ଚିଟାଉ ପଢ଼ି ମନେ ସନ୍ଦେହ ଜନ୍ମିଛି ।

ମୃରାସୁର ରାଜାର ସେ ଅଟେ ପୁଣି ଦୂତ

ପେଷିଛି ଆମ୍ଭଙ୍କୁ ନେବାପାଇଁ ମୁରଦୈତ୍ୟ ।

ମୁରର ସତରଲକ୍ଷ ପୁତ୍ର ପୁଣି ଛନ୍ତି

ଆବର ଯେ ନବଲକ୍ଷ ଛନ୍ତି ପଣନାତି ।

ଆମ୍ଭଠାରୁ ଶିଖିବେ ସେ ପୁଣି ସବୁ ବିଦ୍ୟା

ଦେଖିବାସେ ପଢ଼ାଇଲେ ହେବେ କେଡ଼େ ଯୋଦ୍ଧା ।

ଶୁଣିଣ ସୁଜାଣ ମନ୍ତ୍ରୀ ଯୋଡ଼ି ବେନିକର

ବୋଲେ ଅନ୍ତର୍ଯ୍ୟାମୀ ଅଟ ହେ ପରମେଶ୍ୱର ।

ସବୁରି ମନକଥା ତ ଜାଣିପାର ତୁମ୍ଭେ

ଆପଣ ଛାମୁରେ ବୁଦ୍ଧି କହିବୁ କି ଆମ୍ଭେ ।

ପ୍ରଭୁଙ୍କୁ ସଂସାରଯାକ ମନ ଜଣା ସବୁ

ବିଜେକର ଗୁପ୍ତେ ବ୍ୟଗ୍ରେ ରାଜ୍ୟେ ଆମ୍ଭେ ଥିବୁ।

ଏହଗିରୂପେ ମନ୍ତ୍ରୀ ତୁଲେ ହ୍ୱନ୍ତେ ପ୍ରଭୁ କଥା ।

ଏ ସମୟେ ସନ୍ଧ୍ୟାକାଳ ହୋଇଲା ବ୍ୟବସ୍ଥା

ଦେବଆଳେ ଧୂପ ଦୀପ ଆଳତି କରାଇ

ସନ୍ଧ୍ୟାବିଧି ସ୍ମରଣାଦି ସାରି ଭାବଗ୍ରାହୀ ।

ମଣୋହିକି ପୁଣ ବିଜେ କଲେ ନରହରି

ପର୍ଶନ୍ତି ଲକ୍ଷ୍ମୀ ଖେଚଡ଼ି ପୁଣି ଖଣ୍ଡକ୍ଷିରୀ ।

ଶାକର ଯେ ଛେନା ଦୁଧ କନ୍ଦପଣା ଗୋଳି

ଭୁଞ୍ଜନ୍ତି ଶେଷଦେବଙ୍କୁ ଘେନି ବନମାଳି ।

ଭୁଞ୍ଜିଣ ସେ ଆଚମନ କଲେ ବେନି ଭାଇ ।

ବସିଲେ ସିଂହାସନରେ ସେହୁ ପାନ ଖାଇ ।

ପ୍ରଭାତରେ ଯିବେ ବୋଲି ଗୁପ୍ତ କଥା କଲେ ।

ଲକ୍ଷ୍ମୀ ଦେବୀଙ୍କର ଗୃହେ ଦେବ ବିଜେ କଲେ ।

ବଲ୍ଲଭ ହେ ଭଗବତୀ ସାରି ପୁଣି ଗ୍ରାସ।

ଲୀଳା ଦେବୀହ୍କର ପୁରେ ବିଜେକଲେ ଶେଷ ।

ବଦ୍ରିକା ନଗ୍ରେ ଚୌଷଠି ସହସ୍ରେ କନ୍ୟା

ଭୋଜନ ସାରି ଶୁତିଲେ ସର୍ବ ବରାଙ୍ଗନା ।

ବଲ୍ଲଭ ଭଗବତୀ ଯେ ପଲ୍ୟଙ୍କେ ଶୋଇଲେ

ନିଶାଘୋରେ କଟୁଆଳ ନଗ୍ରରେ ବୁଲିଲେ ।

ସମସ୍ତଙ୍କ ମନ୍ଦିରରେ ଜଳେ ଦୀପପନ୍ତି।

ଗୃହମଧ୍ୟରେ ମାଣିକ୍ୟ ହୀରା ଝଟକନ୍ତି।

କେଳି ମନ୍ଦିରରେ ଦର୍ପଣରେ ବାଡ଼ ଶୋଭା

ଚାହିଁଲେ ଦର୍ପଣକୁ ସେ ଦିଶେ ରତିପ୍ରଭା ।

ଯେ ଯେତେ ଭାବେ ସୁରତି କ୍ରୀଡ଼ା ପ୍ରକାଶଇ

ଚାହିଁଲେ ଦର୍ପଣକୁ ସେ ମାର୍ଗ ଦିଶୁଥାଇ ।

ଲକ୍ଷ୍ମୀଙ୍କର ପୁର ତହୁଁ ଶତାଧିକ ଦିଶେ।

ନୃସିଂହ ବିଜୟ କଲେ ମହାଲକ୍ଷ୍ମୀ ପାଶେ ।

ନିଦ୍ରାରେ ନାନାଭାବ ସେ କରିଣ ଗୋବିନ୍ଦ

ପଲଙ୍କରେ ପହୁଡ଼ିଲେ ଲମ୍ବେ ପଦ୍ମପାଦ ।

ଶଙ୍ଖ ଚକ୍ର ଗଦା ପଦ୍ମ ଜ୍ୟୋତି ପରକାଶେ

ସୁପାତି ଶେଯେ ବସିଲେ ଯାଇ ଜଗଦୀଶେ ।

ଯେବଣ ପୁରେ ନୃସିଂହ କଲେ ଆଜି ବିଜେ

ରତ୍ନର ସୁପାତିମାନ ଠାବେ ଠାବେ ସାଜେ ।

ଉପରରେ ଚନ୍ଦ୍ରାତପ ମଣ୍ଡଣି ଯେ ହୋଇ

ମୁକୁତା ଯେ କେରା କେରା ଲମ୍ବିଅଛି ତହିଁ ।

ନାନାଦି କୁସୁମମାଳା ଚୌପାଶେ ଲମ୍ବିଛି

ଲକ୍ଷେ ଲକ୍ଷେ ମଲ୍ଲୀପଦ୍ମ ମାଳତୀ ଲାଗିଛି ।

ମଧୁପ ଭ୍ରମର ତହିଁ ମକରନ୍ଦ ଆଶେ

ଚୁମ୍ବୁଛନ୍ତି ପନ୍ତି ପନ୍ତି ହୋଇ ପୁଷ୍ପ ବାସେ ।

ଚାରିପାଖେ ପାରିଜାତ ପୁଷ୍ପ ଅଛି ତହିଁ

ପବନ ବହନ୍ତେ ବାସ ଗନ୍ଧ ଚହଟଇ ।

କର୍ପୂର ଅଗୁରୁ ଗୁଣ୍ଡି ପଡ଼ି ଶଯ୍ୟାଯାକେ

ନଗ୍ରଯାକରେ ବାସନା ବାସେ ତ୍ରଇଲୋକ୍ୟେ ।

ବିଶୁଦ୍ଧ ସୁବର୍ଣ୍ମ ପ୍ରାୟେ ଶେଯେ ଅଛି ପଡ଼ି

କୁସୁମ ପରାଗମାନ ପଡ଼େ ତହିଁ ଝଡ଼ି ।

ସୋରିଷ କୁସୁମ ପ୍ରାୟ ଦିଶେ ଶଯ୍ୟା ପ୍ରଭା

ଏମନ୍ତ ଶଯ୍ୟାରେ ଆସି ଲକ୍ଷ୍ମୀ ହେଲେ ଉଭା ।

ଉପରରେ ସଖୀଗଣ ଚାମର ଢାଳନ୍ତି

ବିଞ୍ଚଣା ପଙ୍ଖା ପିଞ୍ଛ ଯେ ପଡ଼େ ଚଉକତି ।

କୁଙ୍କୁମ କଢ଼ି ଅଙ୍ଗରେ ଶୋଭେ ରତ୍ନହାର

କଟିରେ ଝୀନପତନୀ ଦିଶେ ଶୋଭାକର ।

ତୁଙ୍ଗ ନିତମ୍ବ କମଳା ହୃଦୟରେ ଶୋହେ ।

ରୂପେ ପଟାନ୍ତର ବହୁ ଜନମନ ମୋହେ ।

ଲୀଳା ଗତିରେ ଆସନ୍ତି ଦେବୀ କମଳିନୀ।

ବେନି କର୍ଣ୍ଣରେ ହୀରକ ଶୋହେ ରବି ଜିଣି ।

ଶରଦଚନ୍ଦ୍ର ଶ୍ରୀମୁଖ ପ୍ରଭା ମନ୍ଦହାସେ

ଶ୍ରୀକଣ୍ଠେ ଅମୂଲ୍ୟ ରତ୍ନ ଶୋଭାକର ଦିଶେ

ନୀଳ କେଶରେ ସେବତୀ କୁସୁମର ଗଭା

ଶ୍ରୀଅଙ୍ଗେ ଲକ୍ଷେ ଲକ୍ଷେଣ ଘେନିହେଲେ ଉଭା।

ପ୍ରିୟାଙ୍କର ପଦ୍ମମୁଖ ଦେଖି ପଦ୍ମ ମୁଖ

କୋଳରେ ଧରିଣ ସ୍ୱାମୀ ବସାଇଲେ ପାଖ ।

ଦିଶିଲେ ହର ପାର୍ବତୀ ପ୍ରାୟ ଶୋଭାବନ

ସେହି ନୃସିଂହ ଦୟାଳୁ ଜାଣେ ପ୍ରିୟା ମନ ।

ଚନ୍ଦ୍ର ଚାଳକ ମାର୍ଗରେ ରତି ଆରମ୍ଭିଲେ

ଶ୍ରୀଭୁଜରେ ହୃଦଭିଡ଼ି ମୁଖେ ମୁଖ ଦେଲେ ।

ଚଉଷଠି ପରିବନ୍ଧେ ଲକ୍ଷ୍ମୀମନ ମୋହି

କୋମଳ ମଧୁର ବାକ୍ୟେ ପୁଚ୍ଛି ଭାବଗ୍ରାହୀ ।

ବୋଲନ୍ତି ଗୋ ପ୍ରିୟେ ମୋର ଶୁଣ ଗୁପ୍ତକଥା

ତୁମ୍ଭେ ମୋ ପ୍ରାଣମଣି ମୁଁ ତୁ ନିଜଭର୍ତ୍ତା ।

ତୁମ୍ଭଠାରୁ ଅନ୍ୟ ମୋର ନାହିଁ ଗୋ ବିଶ୍ୱାସ

ଏକଇ ବ୍ରହ୍ମ ଆମ୍ଭେ ଶ୍ରୀଲକ୍ଷ୍ମୀ ଜଗଦୀଶ ।

ଏ ପୃଥିବୀ ପାଲିବାକୁ ହେଲୁ ବେନିରୂପ

ଆମ୍ଭଙ୍କୁ ଯେ ନ ଚିହ୍ନଇ ଏକା କଉଣପ ।

ଅଜଣା ପଶୁ ଯେଣୁଟି ଗେନେ ଭିନ୍ନକରି

ତୁଳିଲେ ଯେ ତରାଜୁରେ ହେବା ଦୁହେଁ ସରି ।

ସବୁ ଯୁବତୀଙ୍କ ପରେ ତୁମ୍ଭେ ଠାକୁରାଣୀ

ତୁମ୍ଭଙ୍କୁ ନ ପୂଜି ଯେ ପୂଜନ୍ତି ଢମାଳୁଣୀ ।

ଗଳାରେ କୁରାଢ଼ି ବାନ୍ଧି ଦନ୍ତେ ତୃଣ ଧରି

ସବୁ ଦେବତାଙ୍କୁ ନିନ୍ଦି କରନ୍ତି ଗୁହାରି ।

ପକାନ୍ତି କୁକୁଡ଼ା ଛେଳି ବୋଦା ବଳେ ହାଣି

ବିଷ୍ଣୁ ଦୋରେହା ଅଟନ୍ତି ଲକ୍ଷ୍ମୀ ଠାକୁରାଣୀ ।

ପୁରି ଅଛନ୍ତି ସକଳ ଘଟେ ଯେହ୍ନେ ହରି

ତାହା ନ ଚିହ୍ନି ପକାନ୍ତି ଲୋକେ ବ୍ୟର୍ଥେ ମାରି ।

ଆମ୍ଭେ ଯେ ଠାକୁର ପୃଥ୍ୱୀଯାକେ ଅଟୁ ପୁଣି

ତୁମ୍ଭେ ଯେ ବୋଲାଅ ପୃଥ୍ୱୀଯାକ ଠାକୁରାଣୀ ।

ଠାକୁର ଠାକୁରାଣୀ ଯେ ଲକ୍ଷ୍ମୀ ନାରାୟଣ

ଆନକୁ ବୋଇଲେ ଶିରୀ ତୁଟିବ ଯେ ଜାଣ ।

ଏକଥା କହିଲୁ ନିଶ୍ଚେ ତୁହି ଥାଅ ଶୁଣି

ଆନକୁ ବୋଲନ୍ତି ମୁର୍ଖେ ଏକା ଠାକୁରାଣୀ ।

ଠାକୁର ଠାକୁରାଣୀ ଯେ ଜାଣ ଲକ୍ଷ୍ମୀ ହରି

ଶ୍ରୀହରି ସବୁ ହୃଦୟେ ଛନ୍ତି ବିଜେ କରି ।

ଅଜଣା ପଶୁଲୋକେ ତ ହରି ନ ଭଜନ୍ତି

ଆନ ଦେବତାଙ୍କୁ ପୂଜି ଅମୋକ୍ଷେ ମରନ୍ତି ।

ଜୟ ବିଜୟ ଆମ୍ଭର ଦ୍ୱାରୀ ତୁମ୍ଭେ ଜାଣ ।

ଅସୁର ରୂପକୁ ଧରି ହୋଇଲେ ଜନମ ।

ପ୍ରଥମେ ମୁର ଦାରୁଣ ନାମେ ହେଲେ ଦୈତ୍ୟ

ତାହାଙ୍କୁ ମାରିବାକୁ ଯେ ହେଲୁ ଆମ୍ଭେ ଜାତ ।

ଦ୍ୱିତୀୟେ ହେବେ ହିରଣ୍ୟ ପୁଣି ହିରଣାକ୍ଷ

ତାହାଙ୍କୁ ମଧ୍ୟ ମାରିବେ ଜାଣ ପଙ୍କଜାକ୍ଷ ।

ତୃତୀୟେ ହେବେ ରାବଣ ପୁଣି କୁମ୍ଭକର୍ଣ୍ଣ

ଏ ରୂପେ ଅସୁର ରୂପେ ହେବେ ତିନି ଜନ୍ମ

ମାନବେ ପୁଣି ଜନ୍ମିବେ ଆସି ଆଉ ବେଳେ

ବହିବେ ସେ ଦନ୍ତବକ୍ର ନାମ ଶୁଶିଯାଳେ ।

ଚକ୍ରରେ ମୋକ୍ଷ ହୋଇଣ ଆସିବେ ବୈକୁଣ୍ଠ

ଲକ୍ଷ୍ମୀଙ୍କ ଆଗେ କହନ୍ତି ବିଷ୍ଣୁ ହୋଇ ହୃଷ୍ଟ ।

ଏବେ ଯେ ପେଷିଛି ମୁରଦୈତ୍ୟ ଦେଗଦୂତେ

କପଟେ କରିବ ବିଦ୍ୟଗୁରୁ ନେଇ ମୋତେ ।

ସତର ଲକ୍ଷ ପୁତ୍ର ଯେ ନବଲକ୍ଷ ନାତି।

ବୋଲିବ ପଢ଼ାଅ ପାଠ ହୋଇ ଗୁରୁ ମୂର୍ତ୍ତି ।

ଗୁପତ କଥା କାହାକୁ ଏବେ ଜଣାନାହିଁ

ତହିଁ ନିମନ୍ତେ ଯାଉଛୁ ଆମ୍ଭେ ଗୋପ୍ୟ ହୋଇ ।

ଜାଣିଲେ ଆମ୍ଭର ମାତା ପିତା ଛାଡ଼ିବେ କି

ତୁମ୍ଭଙ୍କୁ ତ ନକହିଣ ପ୍ରବାସେ ଯିବୁ କି ।

ତୁମ୍ଭେ ମହାଲକ୍ଷ୍ମୀ ଅନ୍ତର୍ଯ୍ୟାମୀ ଠାରୁ ବଳ

ଆମ୍ଭେ ଅଟୁ ଅନ୍ତର୍ଯ୍ୟାମୀ ତୁଲ୍ୟ ବେନିକୁଳ ।

ତୁମ୍ଭଙ୍କୁ ନ କହି ଯିବୁ କିରୂପେଟି ଆମ୍ଭେ ।

ଏଥକୁ ପାଞ୍ଚି କଥାଏ କହ ଲକ୍ଷ୍ମୀ ତୁମ୍ଭେ ।

ମୁରକୁ ମାରିବା ପାଇଁ ହେଲୁ ଆସି ଜନ୍ମ

ତୁମ୍ଭେ ଗୋ ପରମ ଲକ୍ଷ୍ମୀ ଆମେ ପରଂବ୍ରହ୍ମ ।

ତୁମ୍ଭେ ନ ବୋଇଲେ ଗୋ ନ ପାରୁ ଆମ୍ଭେ ଯାଇ

ଗଲେ ନାତି ପୁତ୍ର ଆଡ଼ୁ ମାରି ଆସିବଇଁ ।

ଏ ରୂପେ ବାଣୀ ପୁଚ୍ଛନ୍ତେ ପ୍ରଭୁ ପଦ୍ମ ଆଖି

କହନ୍ତି କଟାକ୍ଷ ନେତ୍ରେ ଚାହିଁ ଶଶିମୁଖୀ ।

ବୋଲନ୍ତି ସାବଧାନେ ହେ ଶୁଣ ଚକ୍ରପାଣି

ତୁମ୍ଭ ମହିମା ସଂସାରେ ଅଛି କେହୁ ଜାଣି ।

ଏକ ସ୍ୱରୂପ ବୁଝିଲେ ଆମ୍ଭେ ଦୁହେଁ ସତ ।

ବେନିଭାଗ କରିଣ ଯେ ଆପେ କଲ ଜାତ ।

ସଂସାରେ ତୁମର ଭକ୍ତ ଛନ୍ତି ଯେତେ ପ୍ରାଣୀ ।

ଧନ ଜନ ସମ୍ପଦ ଯେ ତୁଚ୍ଛପ୍ରାୟ ମଣି ।

ଶ୍ରୀପାଦ ପଦ୍ମର ରସ ଯେଉଁ ମକରନ୍ଦ

ସର୍ବଦା ସେବା କରନ୍ତି ତାକୁ ଭକ୍ତବୃନ୍ଦ ।

କି ବଦନେ କହିପାରେ ତାଙ୍କ ଫଳଶ୍ରୁତି

ପଶୁରେ ଗଣା ସେହୁ ଯେ ଏହା ନ ଜାଣନ୍ତି ।

ସଂସାରେ ତୁମର ଯେତେ ଛନ୍ତି ଭକ୍ତଜନ

ଶ୍ରୀବତ୍ସ ପାଦ ବିନୁ ସେ ନ ଜାଣନ୍ତି ଆନ ।

ହୁଅନ୍ତି ଇନ୍ଦ୍ରିୟଗଣେ ବଶ ଯେତେ ଲୋକ

ସେମାନେ ଭୋଗନ୍ତି ଅନ୍ତେ କୁମ୍ଭୀପାକ ନର୍କ ।

ଶାଗୁଣା କୁକୁର ମେଷ ଗୋରୁ ଗଧ ପ୍ରାୟେ

ବିଡ଼ାଳ ଶୃଗାଳ କାଳ ସର୍ପ ପେଚା ଦେହେ ।

ଏମାନେ ବିଷ୍ଣୁ ମହିମା ଯେହ୍ନେ ନ ଜାଣନ୍ତି

ଇନ୍ଦ୍ରିଗଣେ ବଶ ହେବା ଲୋକ ସେହି ମତି ।

ତୁମର ମହିମାଟି ନ ଜାଣେ ଯେଉଁ ପ୍ରାଣୀ

ମୁଖରେ ନ ବୋଲେ ସେହୁ କର୍ଣ୍ଣରେ ନ ଶୁଣି ।

ନିଶ ଦାଢ଼ି ରଖି ତନୁ ସୌନ୍ଦର୍ଯ୍ୟ କରଇ

କୁକ୍ତଳ ନଖ ମୁଖକୁ ଯତ୍ନେ ସଜାଡ଼ଇ ।

ଦେହେ ଯେତେ ପାପ ଅଛି ତାହା ନ ଜାଣଇ ।

ହରି ଭଜୁଥିଲେ ନିତି ପାପୁ ତରିଯାଇ ।

ସେ ପାପଙ୍କ ନାମ ଶୁଣ ଏବେ କହୁଅଛି।

ଏହି ଶରୀର ନିମିତ୍ତ ଯେହ୍ନେ ହୋଇଅଛି ।

ଦୁର୍ଗନ୍ଧ ଯେ କଫ ବାତ ପିତ୍ତ କୃମି ପୋକ ।

ରୁଧିର ମଳମୂତ୍ର ଯେ ମାଂସ ଦେହଯାକ ।

ଖଙ୍କାର ନାଳ ଝାଳରେ ଚଉଷଠି ବ୍ୟାଧି ।

ଏହି ରୂପେ ସବୁ ଦେହେ ଅଛି ପାପ ଭେଦି ।

ଏମନ୍ତେ ନିର୍ମିତ କରି ପ୍ରାଣ ଧରେ ଦେହୀ।

ଜୀବନରେ ମୃତ୍ୟୁପିଣ୍ଡ ଅଟେ ଜାଣ ସେହି ।

ଏମନ୍ତ ଅଙ୍ଗକୁ ବହି ରତି କଲେ ସ୍ତିରୀ ।

ଜୀବନ ଅକାରଣ ସେ ଦେହ ଥିଲେ ଧରି ।

ବିଷ୍ଣୁ ନ ଭଜେ ସେହୁ ଏ ପାପ ଦେହ ବହି।

ଜୀବନ ଅକାରଣ ସେ ଥିବ ଯେବେ ଜୀଇ ।

ଅଟନ୍ତି ସୁପତିବ୍ରତା ସ୍ତିରୀ ଯେତେ ପ୍ରିୟା

ଗଙ୍ଗାନଦୀର ସମାନ ଅଟେ ତାଙ୍କ ଦୟା ।

ଜାର ପୁରୁଷକୁ ଯେଉଁ ନାରୀ ଆଶା କରେ ।

ତାହାର ଶରୀର ଅଟେ ଶ୍ୱାନ ସମାନରେ ।

ଶ୍ୱାନକୁ ଛୁଇଁଲେ ଯେତେ ଦୋଷଟି ଲାଗଇ ।

ଛୁଇଁଲେ ଦୋଚାରୀ ନାରୀ ସେ ଦୋଷ ହୁଅଇ ।

ଆପଣାର ନିଜ ପତି ଗୃହେ ଥାଉଁ ଥାଉଁ ।

ବଳାଏ ପର ପୁରୁଷେ ଚିତ୍ତ ନାରୀ ଯେହୁ ।

ସଂସାରେ ସେ ସ୍ତିରୀ ପ୍ରାଣ ଜାଣ ଅକାରଣ

ସୁପତିବ୍ରତା ସ୍ତିରୀ ମୋ ତହୁଁ ବଡ଼ ଜାଣ ।

ମୋତେ ସେ ଶ୍ରୀମୁଖେ ଆଜ୍ଞାକଲ ବୋଲି ଏକ

କି ରୂପେ ଛାଡ଼ିଯିବ ହେ ମୋତେ ପୁଣ୍ୟଶ୍ଲୋକ ।

ଏକଇ ବ୍ରହ୍ମ ହୋଇଛ ଯେବେ ବେନି ଭାଗ ।

ଏକତ୍ୱ କରି ଧର ମୋ ଏବେ ଆତ୍ମାଲିଙ୍ଗ ।

ଶିରୀକି ମିଶାଇ ଏବେ ହୃଦପଦ୍ମେ ଧର।

ଜୀବ ପରମ ରୂପରେ ଆମର ବିହାର ।

ଜାଣ ସବୁ ପ୍ରାଣୀ ହୃଦେ ଥାଉ ଏ ପ୍ରକାର।

ଏ କଥା ସଂସାରେ ଚିହ୍ନି ନ ପାରନ୍ତି ନର ।

ଏହିରୂପେ ମହାଲକ୍ଷ୍ମୀ କହନ୍ତି ଯେ ବାଣୀ।

ଶୁଣିଣ ହସିଲେ ମନେ ମନେ ଚକ୍ରପାଣି ।

ବୋଲନ୍ତି ଶୁଣଚଗୋ ତୁମ୍ଭେ ପରମ ବୈଷ୍ଣବୀ ।

ମନ ବିଡ଼ୁଥିଲେ କତା କି ରୂପେ ଶୁଣିବି ।

ଆମ୍ଭେ ତ ତୁମର ପିଣ୍ଡ ତୁମେ ଆମ୍ଭ ଆତ୍ମା

ଏକ ହେବାରୁ ଆମ୍ଭଙ୍କୁ ଭଜେ ବେଦବ୍ରହ୍ମା ।

ପଞ୍ଚଶିଖ ସନକାଦି ମୁନି ଯେ ଆସୁରି ।

ଏହିମାନେ ଚିହ୍ନି ଏକା ପାରନ୍ତି ଶ୍ରୀହରି ।

ବ୍ରହ୍ମାଣ୍ଡଯାକରେ ଥାଇ ତୁମ୍ଭେ ଆମ୍ଭ ପୁରି

ତେମ୍ଭେ ପରମ ଆମ୍ଭେ ଯେ ଜୀବରୂପ ଧରି ।

ସଂସାରେ ବୋଲାଇ ଯେଣୁ ଆମ୍ଭେ ପରଂବ୍ରହ୍ମ

ଭଜନ୍ତି ସକଳେ ଲକ୍ଷ୍ମୀ ନରସିଂହ ନାମ ।

ଶ୍ରୀଲକ୍ଷ୍ମୀ ଶ୍ରୀନାରାୟଣ ଲକ୍ଷ୍ମୀକାନ୍ତ ହରି ।

ଶ୍ରୀଲକ୍ଷ୍ମୀ ଶ୍ରୀନରସିଂହ ଶଙ୍ଖ ଚକ୍ରଧାରୀ ।

ତୁମ ଆମ୍ଭ ବିହାର ଯେ ସଦା ହେଉଥାଏ

ଆମ ବିହାର ଭାଜିଲେ ବ୍ରହ୍ମାର ପ୍ରଳୟେ ।

ଚାଲ ଗୋ ପ୍ରଭାତୁ ଯିବା ଅସୁରର ପୁରୀ ।

ଗୃହରେ ମୟାଲକ୍ଷ୍ମୀ ଯେ ଥାନ୍ତୁ ବିଜେ କରି ।

ଏରୂପେ କହି ନୃସିଂହ ଲକ୍ଷ୍ମୀ ଏକ ହେଲେ ।

ମାୟା କମଳିନୀ ରୂପେ ଗୃହେ ବିଜେ କଲେ ।

ଖଗେଶ୍ୱରକୁ ବସନ୍ତି ଧ୍ୟାୟି ଭଗବାନ।

ତକ୍ଷଣେ ମିଳିଲେ ଆସି ବିନତା ନନ୍ଦନ ।

ଶ୍ରୀଲକ୍ଷ୍ମୀ ଶ୍ରୀନୃସିଂହ ପାଦତଲେ ପଡ଼ି।

ଉଠିଣ ଉଭାହୋଇ ସେ ପୁଚ୍ଛେ କରଯୋଡ଼ି ।

ନୃସିଂହ ଆଜ୍ଞା କରିଲେ ଶୁଣ ପକ୍ଷୀରାଜ।

କହିବା ଗୁପତ କଥା ଯେତେ ତୋତେ ଆଜ ।

ଦଇତପୁରକୁ ଯିବା ତୋ ପିଠିରେ ବସି।

ତୁହି ଥିଲେ ସଖୀ ମୋର ହେବୁ ଦିବାନିଶି ।

ଦୂତ ପେଶିଅଛି ମୃରାସୁର ନେବାପାଇଁ

ମୃତ୍ୟୁ ବିଦ୍ୟା ଦେବା ତାର ପୁତ୍ରେ ଆମ୍ଭେ ଯାଇଁ ।

ଆମ୍ଭକୁ ନେବାକୁ ଆସେ ବଦରିକା ଗଡ଼ୁ      

ଯାଇଣ ମାରିବା ଆଗେ ପୁତ୍ର ନାତି ଆଡ଼ୁ ।

ତେଣୁ ଆମ୍ଭେ ଚଢ଼ିଯିବା ଗରୁଡ଼ ରଥରେ ।

ତୁ ଥିଲ ସଖା ମୋ ଜାଣ ହୋଇବୁ ସାଥିରେ ।

ଗରୁଡ଼ ବୋଇଲ ସ୍ୱାମୀ ଶୁଣ ମହାପ୍ରଭୁ।

ମୋହର ଯେ ପରାକ୍ରମ ତୁମ୍ଭର ତ ସବୁ ।

କୋଟି ବ୍ରହ୍ମାଣ୍ଡ ଦେବତା ଯାର ବୋଲେ ସଜ

ମୋହର ପ୍ରାୟେକ ଲକ୍ଷେ ଗରୁଡ଼େ କି କାର୍ଯ୍ୟ ।

ନୃସିଂହ ଆଜ୍ଞା କଲେ ତୁ ମୋର ତହୁଁ ବଡ଼ ।

ବିଷ୍ଣୁ ବାହନ ହୋଇଣ ବହୁ ଯୋଗାରୂଢ଼ ।

ଏହି ଅବତାର ଯାକେ ପାର୍ଶ୍ୱେ ମୋର ଥାଅ ।

ମୁର ଦୈତ୍ୟ ମଲା ପରେ ନଗ୍ରକୁ ତୋ ଯାଅ ।

ଗରୁଡ଼ ବୋଇଲେ ମୋତେ ଆଜ୍ଞା ନୋହୁ ସ୍ୱାମୀ।

ସଦାକାଳେ ଥିବି ମୁହିଁ ପଦ୍ମ ପାଦେ ନମି ।

ନୃସିଂହ ବୋଇଲେ ଯେବେ ମାଗିଲୁ ତୁ ବର ।

ପାଞ୍ଚଟି ଅବତାରେ ତୁ ସେବା ମୋତେ କର ।

ନୃସିଂହ ବାମନ ପର୍ଶୁ କୃଷ୍ଣ ଜଗନ୍ନାଥ ।

ଗରୁଡ଼ ସ୍ତମ୍ଭ ମୋ ଆଗେ ହୋଇଥାଅ ନିତ୍ୟ ।

ନୀଳଗିରିରେ ରହିବୁ ଦାରୁବ୍ରହ୍ମ ରୂପେ ।

ତୁହି ଆମ୍ଭ ରଥେ ଥିବୁ ସଦା ଭକ୍ତରୂପେ ।

ନୀଳଗିରିରରେ ବସିବୁ ଯୋଡ଼ି ବେନିକର ।

ଏରୂପେ ଆଜ୍ଞା ଦେଲୁରେ ବିନତା କୁମର ।

ସମସ୍ତ ଜନେ ଦର୍ଶନ ଆଗେ ତୋତେ କରି

ଆମ୍ଭଙ୍କୁ ଯାଇଁ ସେବିବେ ପଛେ ନରନାରୀ ।

ବସିଲେ କଳିରେ ଯେବେ ଦେବାଳୟେ ମୁହି ।

ରହିଥିବୁ ମୋର ଆଗେ ବାହନ ତୁ ହୋଇ ।

ଏହି ରୂପେ ବର ତାକୁ ଭଗବାନ ଦେଇ

ଭାବିଲେ ଶେଷଦେବଙ୍କୁ ସଙ୍ଗେ ନେବାପାଇ ।

ଆପଣେ ଶ୍ରୀଅଙ୍ଗରୁ ଯେ କାଢ଼ି ବେନିରୂପେ।

ମାୟା ନରସିଂହ ଶେଷ ହେଲେ ପ୍ରଭୁ ଆପେ

ପିତାଙ୍କ ପାଖରେ ଥାଅ ବୋଲି ଆଜ୍ଞା ଦେଲେ

ଶୁଣି ମାୟା ବେନି ଭାଇ ହସ ହସ ହେଲେ ।

ନୃସିଂହ ଆଜ୍ଞା କରିଲେ ଆମ୍ଭ ଆଜ୍ଞା ବହ।

ପିତା ମାତା ପାଳି ଆମ୍ଭ ନଗ୍ରେ ଥାଅ ରହି ।

ଆମ୍ଭ ନାମ ଘେନି ତୁମ୍ଭେ ଥାଅ ବେନି ଭ୍ରାତେ

କେହି ନ ଜାଣିବେ ମିୁହିଁ ଆସିଲା ପର୍ଯ୍ୟନ୍ତେ ।

ଏ ରୂପେ ନୃସିଂହ ମାୟା ନୃସିଂହଙ୍କୁ କହି ।

ଶ୍ରୀଅଙ୍ଗୁ କାଢ଼ିଲେ ମାୟାପିତା ଭାବଗ୍ରାହୀ ।

ସାକ୍ଷାତେ କୃଷ୍ଣବଲ୍ଲଭ ତ ହେଲେ ଜାତ ।

କହୁଛନ୍ତି ନାରଦଙ୍କୁ ସାବିତ୍ରୀଙ୍କ କାନ୍ତ ।

ମାୟା ପିତାଙ୍କୁ ଗରୁଡ଼େ ଘେନି କଲେ ବିଜେ ।

ମିଳିଲେ ଅଶୀଳ ପାଶେ ଯାଇଁ ବେଦରାଜେ ।

ବଦରିକା ଦେଶ ଲୋକେ ସର୍ବେ ଛନ୍ତି ଶୋଇ ।

କାହାକୁ ନୃସିଂହ ସ୍ୱାମୀ କଥା ଜଣା ନାହିଁ ।

ସୁଜାଣ ମନ୍ତ୍ରୀ ଗରୁଡ଼ ତାହା ଜାଣେ ଏକା

ମାୟାକୁ ଢାଙ୍କି ଅଛନ୍ତି ପ୍ରଭୁ ବଦରିକା ।

ମାୟା ପିତାଙ୍କୁ ଘେନିଣ ଗଲେ ବେନି ଭାଇ

ଗରୁଡ଼ପରେ ବସିଲେ ଅପସର ଦେଇ ।

ଶେଷ ଓ ନରସିଂହଙ୍କ ବିଦ୍ୟା ପଢ଼ାଇବା ପାଇଁ କନକାବତୀ ଯାତ୍ରା

ଚାଲିନ୍ତେ ପହଣ୍ଡି ବିଜେ ପ୍ରାୟେ ପକ୍ଷୀରାଜ।

ଖଣ୍ଡେ ଦୂରରୁ ଅଶୀଳ ଦେକି ହେଲା ସଜ ।

ଚାହିଁଲେ ଗରୁଡ଼େ ତିନି ମୂର୍ତ୍ତି ଛନ୍ତି ବସି।

ମଧ୍ୟେ ପିତା ବାମ ଦକ୍ଷେ ଛନ୍ତି ବେନି ଶିଷି ।

କୃଷ୍ଣବଲ୍ଲଭ ହୋ ଶୁଣ ଅଶୀଳ ବୋଇଲା ।

ରାଜାଙ୍କର ଆଜ୍ଞା ଏବେ ତୁମ୍ଭ ପ୍ରତି ହେଲା ।

ଏତେ ବିଳମ୍ବ କରିଣ କିପାଁ ବ୍ୟର୍ଥେ ରହୁ ।

ପୁତ୍ରଙ୍କୁ ପେକ୍ଷ ତୁ ବେଗେ ମୁର କଥା ହେଉ ।

ବିଳମ୍ବ କଲେ ବୋଲଣା ପାଇବଟି ରାୟେ।

ଯାହାର ନାମେ ଚମକ ପଡ଼େ ସବୁ ଠାଏ ।

ଛାମୁକୁ ଗଲା ପର୍ଯ୍ୟନ୍ତ ଲାଗୁଅଛି ଡର।

ଏ ରୂପେ ବୋଲିଣ ଆଣ୍ଟ କଲାକ ଅସୁର ।

ଶୁଣିଣ ମାୟା ନୃପତି ଠିକେ କହେ କାନ୍ଦି।

ବୋଇଲେ ପୁତ୍ରେ ପଡ଼ିବେ ଗଲେ ପରା ବନ୍ଦୀ।

ଗୃହ ପୁତ୍ର ଗଲେ ମୋର ଦିନ ନ ସରିବ ।

ବେଳହିଁ ତ ନ ବୁଡ଼ିବ ରାତ୍ର ନ ପାହିବ ।

ଲାଗିବ ଭୁଞ୍ଜିବା ଅନ୍ନ ସବୁ ମୋତେ ପିତା ।

ଜନନୀ ତ ମରିଯିବ ହୃଦେ କରି ଚିନ୍ତା ।

ଚାଲ ସେ ରାଜାଙ୍କ ହସ୍ତେ ସମର୍ପିଣ ଦେବି।

କୁହା ପୁଚ୍ଛା କରି ପୁତ୍ର ଘେନିଣ ଆସିବି ।

ତଥାପି ସେ ନ ବୁଝିଲେ କହିବା ତିଆରି

ତହି ଉତ୍ତାରୁ ପଛେ ମୁଁ ଆସିବି ବାହାରି ।

ଶୁଣିଣ ଅଶୀଳ ତାହା ବହୁ ପ୍ରଶଂସିଲା।

ବଡ଼ଲୋକର ମହିମା ବୋଲେ ଭଲା ଭଲା ।

ବଡ଼ଲୋକ ଜାଣନ୍ତି ସେ ଏକା ବଡ଼ କଥା ।

ହାନି ଲାଭ ଜାଣନ୍ତି ତ ସକଳ ବ୍ୟବସ୍ଥା ।

ଅଷ୍ଟ ଅବଧାନ ହୋଏ ମନେ କଲେ ନ୍ୟାୟେ

ଅଜଣା ବୁଝାମଣା ତୁ କୂର୍ମଗ୍ରୀବ ପ୍ରାୟେ ।

ପଦାକୁ ସେ ଖସୁଥାଇ ମଧ୍ୟେ ପଶୁଥାଇ ।

ଅଭବ୍ୟ ଲୋକତ ଜାଣ କୂର୍ମ ପ୍ରାୟେ ହୋଇ ।

ଆପଣ ତ ବଡ଼ଲୋକ ହେବା କଥା ଜାଣି ।

ପୁତ୍ରକୁ ଧରିଣ ମୋତେ ଭେଟ ଆସି ପୁଣି ।

ବେଗେଣ ହୁଅ ହେ ସଜ ଯିବା ଏହି ଲାଗେ ।

ନ କହ ବିଳମ୍ବ କଥା ଆଉ ମୋର ଆଗେ ।

ବଲ୍ଲଭ ବୋଇଲେ ଆଉ ବିଳମ୍ବେ କି କାର୍ଯ୍ୟ

ପୋଏ ବସିଲେଣି ଦେଖ ଏହି ପକ୍ଷିରାଜ ।

ଅଶୀଳ ବୋଇଲା ତୁମ୍ଭେ ଚାଲ ମୋର ଆଗ ।

ତୁମ୍ଭ ପଛେ ମୁହିଁ ଚାଲି ଯିବି ହୋଇବେଗ ।

ଶୁଣି ଗରୁଡ଼କୁ ପ୍ରଭୁ ଠାରିଣ କହିଲେ

ପକ୍ଷୀରାଜ ଶୂନ୍ୟମାର୍ଗେ ଉଠିଣ ଚଳିଲେ ।

ତାଙ୍କ ପଛରେ ଅଶୀଳ ଗମେ ମନେ କ୍ଷେପି ।

ଚାଲୁଅଛି ସଙ୍ଗେ ସଙ୍ଗେ ହୋଇ କାମରୂପୀ ।

ବଦରିକା ଆଶ୍ରମରୁ ମୃରାସୁର ପୁର

ପଞ୍ଚାଶତ ଯୋଜନ ଯେ ଅଟେ ପଥଦୂର ।

ପ୍ରହରକ ଭିତରେ ସେ ପ୍ରବେଶିଲେ ଯାଇଁ।

କନକାବତୀ ନଗ୍ରରେ ପଶ୍ଚିମ ମୁଣ୍ଡୋଇ ।

ସେହି ପୁରେ ଯହିଁ ବିଜେ ପ୍ରବୁ ସଦାଶିବ ।

ନୃସିଂହ ସେ ସ୍ଥାନେ ଗଲେ ସହ ଶେଷଦେବ ।

ଉତୁରି ଖଗେଶ୍ୱରର କନ୍ଧୁ ବେନିଭାଇ ।

ମାୟା ପିତାଙ୍କୁ ଘେନିଣ ସ୍ନାନ କଲେ ଯାଇ ।

ସନ୍ଧ୍ୟା କରମ ସାରିଣ ସୂର୍ଯ୍ୟେ ଅର୍ଘ୍ୟ ଦେଲେ ।

ସାରିଣ ଦେବାର୍ଚ୍ଚନ ସେ ପ୍ରଭୁ ବିଜେ କଲେ ।

ଶୀତଳ ମଣୋହି ଲାଗି ହେଲେ ନାରାୟଣ ।

ଆଚମନ ସାରି ପ୍ରଭୁ କଲେ ବିହରଣ ।

ଗରୁଡ଼ ସେରୂପେ ସନ୍ଧ୍ୟା ତରପଣ କରି ।

ନୃସିଂହଙ୍କୁ ସେବାକଲା ମଣୋହିକି ସାରି ।

ଅଶୀଳ ଯେ ନୃସିଂହଙ୍କୁ ରଖାଇ ସେଠାରେ ।

ମିଳିଲାକ ଶୀଘ୍ର ଯାଇଁ ମୁରର ଆଗରେ ।

ଦୂତକୁ ଦେଖିଣ ରାଜା ହସ ହସ ହେଲା ।

ଆସିଲୁ କି ରେ ଅଶୀଳ ବୋଲି ପଚାରିଲା ।

ଦୂତ ବୋଇଲା ସ୍ୱାମୀ ତୋ ଆଜ୍ଞା ପରମାଣେ ।

ବାପ ପୁଅ ତିନିଙ୍କୁ ମୁଁ ଆଣିଲି ତତ୍‌କ୍ଷଣେ ।

ନଗ୍ରର ପଶ୍ଚିମ ମୁଣ୍ଡେ ଛନ୍ତି ଦେବଆଳେ।

ଆଜ୍ଞା ହୋଇଲେ ଛାମୁକୁ ଆଣିବି ତତ୍କାଳେ ।

Unknown

ମୃରାସୁର ବୋଲଇ ଯେ ଛାମୁକୁ ମୋ ଆଣ

କି ରୂପ ବର୍ଣ୍ଣ ତାଙ୍କର ଦେକିବା ଲକ୍ଷଣ ।

ନିର୍ମାଣ କରିବା ତହିଁ ପରେ ବସାଘର ।

ଦିନ ବୁଝିଲେ ପଢିବେ ବିଦ୍ୟା ପୋଏ ମୋର ।

ଶୁଣିଣ ଅଶୀଳ ଦୈତ୍ୟ ଗଲା ବେଗେଧାଇଁ।

ବୋଇଲା କୃଷ୍ଣବଲ୍ଲଭ ଆସ ଶୀଘ୍ର ହୋଇ ।

ମୃରାସୁର ଙ୍କର ଆଜ୍ଞା ଦେଲା ଏହିକ୍ଷଣି ।

ବେଗେ ଆସନ୍ତୁ ଦେଖିବା ଆମ୍ଭେ ଚକ୍ରପାଣି ।

ଶୁଣି ବିଷ୍ଣୁ ମାୟା ପିତା ଉଠିଲେ ହରଷେ ।

ଚଳାଇ ଅଛନ୍ତି ବେଳି ପୁଅଙ୍କୁ ପାରୁଶେ ।

ତହିଁ ପଛରେ ଗରୁଡ଼ ଚଳେ ଧୀରେ ଧୀରେ ।

ବେନି ଖଗ ବାଡ଼ କରି ଦେଇ ଅପସରେ ।

ନାସୁ କେଶଯାଏ ହରି ମନ୍ଦିରର ଚିତା ।

କାଟିଣ ସଙ୍ଗରେ ଧରି ଚାଲେ ଜଗଜ୍ଜିତା

ମସ୍ତକରୁ କଟିଯାଏ ଲମ୍ବିଅଛି ବେଣୀ ।

ବେଣୀ ଅଗ୍ରରେ ଘାଗୁଡ଼ି ବାଜେ କିଣିକିଣି ।

ମୁକୁତା ପୁଞ୍ଜା ପୁଞ୍ଜା ଯେ ଲମ୍ବେ ବେଣୀଯାକେ

କପାଳେ ହୀରା ପାତିଆ ବ୍ରହ୍ମାଣ୍ଡେ ଝଲକେ ।

ସୂର୍ଯ୍ୟରୁ ଶତେକ ଗୁଣେ ଦିଶଇ ଝଟକି।

ନିଶାକାଳେ ଚନ୍ଦ୍ର ଯେହ୍ନେ ପ୍ରକାଶେ ପୃଥ୍ୱୀକି ।

କର୍ଣ୍ଣରେ ହୀରା କୁଣ୍ଡଳ କଣ୍ଠେ ଶୋହେ ମାଳ

ଜାନରେ କଂସା ଘଣ୍ଟ ଯେ ଶୁଭଇ କୋମଳ ।

ଶରୀରେ ଯାବତ ପୁଷ୍ପ ହୋଇଛି ମଣ୍ଡଣି       

ନୃସିଂହର ପ୍ରଭା ଟେକି ଚାଲଇ ଧରଣୀ ।

ପହଣ୍ଡି ବିଜୟ କାଳେ ଯେହ୍ନେ ଜଗନ୍ନାଥ ।

ସେ ରୂପେ ଚାଲନ୍ତି ଦିଶେ ଗରୁଡ଼ର ରଥ ।

କପଳି ଚାଲନ୍ତେ ଯେହ୍ନେ ମୂର୍ତ୍ତିମନ୍ତ ହୋଇ ।

ସେହି ରୂପେ ଦିଶନ୍ତି ନୃସିଂହ ବେନିଭାଇ ।

କନକାବତୀ ପୁରରେ ଛନ୍ତି ଯେତେ ନାରୀ

ଚାରିପାଶେ ରହି ସର୍ବେ ଦେଖନ୍ତି ଉଭାରି ।

କେବୋଲେ ଏମାନେ କାହୁଁ ଅଇଲେ ଗୋକହ

ସାକ୍ଷାତରେ ପରଂବ୍ରହ୍ମ ଏହି ଜାଣିଥାଅ ।

କେ ବୋଲଇ ହରିହର ହେବେ ଏହି ଦୁଇ।

ବେନି ଭାଇ ମଧ୍ୟେ ଯେହୁ ବସିଛନ୍ତି ଯାଇ ।

ଏହାଙ୍କର ଜନକ ଯେ ହେବ ଏହୁ ଜାଣ।

ପିତା ପୁତ୍ର ପରି ଏ ଯେ ଦିଶନ୍ତି ଘଟଣ ।

କେ ନାରୀ ବୋଲେ ସ୍ୱର୍ଗର ଅଟଇ ଏ ଇନ୍ଦ୍ର ।

ରାଜା ଛାମୁକୁ କରିବା ପାଇଁ ଆସେ କେନ୍ଦ୍ର ।

କେ ବୋଲେ ନୀଳଗିରି ଶ୍ରୀଜଗନ୍ନାଥ କିଏ

ଢଳିଣ ଚାଲୁଅଛନ୍ତି ପହଣ୍ଡି ବିଜୟେ ।

କେହୁ ବୋଲେ ଚନ୍ଦ୍ରସୂର୍ଯ୍ୟ ଧରି ରୂପ ବେନି

ରାଜା ମଗଜ ବୁଝିଣ ଯିବେ ଦେହ ଘେନି ।

କେହୁ ବୋଲେ କାମଦେବ ଘେନି ବେନିବର୍ଣ୍ଣ

ଏହାଙ୍କୁ ଦେଖିଣ ସ୍ତିରୀ ହେବେ ଛନ୍ନ ଛନ୍ନ ।

କେହୁ ବୋଲେ ହରିହର ମାୟାରୂପ ଧରି

ଅବଶ୍ୟ କପଟେ ପଶି ଏହୁ ଯିବେ ମାରି ।

କେହୁ ବୋଲେ ଲୀଳାଗତି ହୋଇ ବେନିଭାଇ

ଦାଣ୍ଡରେ ଚାଲୁଅଛନ୍ତି ସର୍ବ ମନ ମୋହି ।

କେହୁ ବୋଲେ କାମଦେବ ଅଟେ ପରା ଏହି

ଦେଖି ଏହାକୁ ଯୁବତୀ ହେବେ କାମେ ବାଇ ।

ଦେଖୁଅଛୁ ତ ପୁରୁଷ ଆମ୍ଭେ କେତେ ରୂପେ

କାମିନୀ କୁଳକୁ କାନ୍ତ ନ ମିଳେ ଏ ରୂପେ ।

ମଧ୍ୟେ ରହିଅଛି ଯେହୁ ଅଟେ ପରା ବାପ

ତହିଁ ପଛେ ଅଛି ଦେଖ ଗରୁଡ଼ ଏ ରୂପ

ପୂର୍ବକାଳୁ କେତେ ତପ ଥିଲୁ ଆମ୍ଭେ କରି

ତେଣୁ ଦେଖିଲୁ ଗରୁଡ଼ ସହ ଦେବ ହରି ।

ତ୍ରିପୁରଯାକ ଗରୁଡ଼ ପଦ୍ମମୁଖ ଦେଖ

ଦର୍ଶନ କରିଣ ଥିଲୁ ତାଙ୍କୁ ରତି ପାଖ ।

କେବଣ ଭାଗ୍ୟରୁ ଆମ୍ଭ ପୁରେ ବିଜେ କଲେ

ଶଙ୍ଖ ଚକ୍ର ଗଦା ପଦ୍ମ ଧରି ପ୍ରକାଶିଲେ ।

ଆସିଲେ ଆମ୍ଭର ମୋକ୍ଷ ପାଇଁ ବ୍ରହ୍ମରାଶି

କେହୁ ବୋଲେ ନୃପତି ଗୋ ଆଣେ ଦୂତପେଷି।

କେ ବୋଲେ ଆଗହୁଁ ପୁଣି ଅଛୁ ଶୁଣି ଆମ୍ଭେ

ରାଜାର ପୁତ୍ରଯାକଙ୍କୁ ବିଦ୍ୟା ପଢ଼ାଇବେ ।

କେହୁ ବୋଲେ ରାଜପୁତ୍ରେ କରିଥିଲେ ଭାଗ୍ୟ

ଶ୍ରୀମୁଖରୁ ବିଦ୍ୟା ଶୁଣି ହୋଇବେ ମୋକ୍ଷାଙ୍ଗ ।

କେହୁ ବୋଇଲେ ଅଦୃଷ୍ଟେ ଯାହାର ଯା ଥିବ

ବଳେଣ ଦଇବ ତାହା ଲୋଡ଼ି ଆଣି ଦେବ ।

କେହୁ ବୋଲେ କାହାକୁ ଏକଥା ଜଣାନାହିଁ

ଏଥିରେ ଭଲ ମନ୍ଦ ଗୋ ଦୁଇ କଥା ଥାଇ ।

ବୋଇଲେ ଶୁଣ ପଣ୍ଡିତ ଏହା ସତ ସତ

ଏହି କଥା ଅପୂର୍ବ ହେ ଅଟେ ଅଲୋକିତ ।

ପ୍ରତ୍ୟକ୍ଷେ ଦିଶନ୍ତି ବିଷ୍ଣୁ ପ୍ରାୟେ ବେନିଭାଇ

ଶୁଭୁଅଛି ଏର୍ଥେ ଅବା ଅଶୁଭ ଅଛଇ ।

ଏହି କଥା ବିଧାତାକୁ ହେବ ସିନା ଜଣା

ଭଲ ଯୋଗ ଥିଲେ ହେବ ଭଲ ବୁଝାମଣା ।

ସବୁକାଳେ ପ୍ରାଣୀକି ନ ଥାଏ ଭଲ ଯୋଗ୍ୟ।

ଅତି ଉଗ୍ରହେଲେ ସରେ ଅଳ୍ପକେ ତା ଭୋଗ ।

ଶୁଣିଅଛୁ ପଣ୍ଡତଙ୍କ ମୁଖୁ ପୂର୍ବକାଳେ

ହରଙ୍କୁ ବର ମାଗିଲା ମୁର ଯେତେବେଳେ ।

ବୋଇଲା ଅମର ମୁହିଁ ହେବି ସବୁଦିନେ

ବିଧାତା ଥିବାକାଳେ ମୁଁ ଥିବି ତ୍ରିଲୋଚନେ ।

ଶୁଣିଣ ହେଉ ବୋଇଲେ ତହୁଁ ଉମାବର

ବର ଦେଇଣ କହିଲେ ମୃତ୍ୟୁ ପୁଣି ତାର ।

ବୋଇଲେ ଶ୍ରୀହରି ତୁଲେ ନ ଲାଗିବୁ ପୁଣି

ଲାଗନ୍ତେ ମାରିବେ ନିଶ୍ଚେଁ ଜାଣ ଚକ୍ରପାଣି ।

ଯେଉଁକାଳେ ମୁରଦୈତ୍ୟ ଦିଗବିଜେ କଲା

ଶାକଲ୍ୟ ଦ୍ୱୀପରେ ଯାଇଁ ବିଷ୍ଣୁଙ୍କୁ ଭେଟିଲା ।

ବାଳକ ରୂପେ ପଲ୍ୟଙ୍କେ ପ୍ରଭୁ ଥିଲେ ଶୋଇ

ପୁତ୍ର କରିବି ବୋଲିଣ ଆଣୁଥିଲା ବହି ।

ଗୁରୁ ହେବାରୁ ତାଙ୍କୁ ଛେଚି ପକାଇଲା

ଛେବିବା ମାତ୍ରକେ ଜାଣ ପ୍ରଭୁର କି ଗଲା ।

ପଳାଇଣ ନାରାୟଣ ପଶିଲେ ସେ ପୁରେ

ସେ ନଗର ଯାକ ପଶି ଖୋଜିଲେ ଅସୁର ।

ବିଷ୍ଣୁଙ୍କୁ ନ ପାଇଣ ସେ ନଗ୍ର ଦେଲେ ପୋଡ଼ି

କହିଲେ ସଂସାରେ ହରି ପ୍ରାଣ ଗଲା ଛାଡ଼ି ।

ତେଣୁ ସେହି ନାରାୟଣ ମନେ ବହି ରୋଷ

ଜନମ ହୋଇ ଏଠାରେ ଆସି ହେଲେ ଦୃଶ୍ୟ ।

ଦେଖ ଗୋ ଦିଶୁଛି ଶଙ୍ଖ ଚକ୍ର କେତେ ତୋରା

ଶ୍ରୀଅଙ୍ଗ ବିରାଜୁଅଛି ଗୁରୁ ଶୁକ୍ର ପରା ।

କୋଳରେ ଯେ ମହାଲକ୍ଷ୍ମୀ ଛନ୍ତି ବିଜେକରି ।

ଏହାଙ୍କୁ ରାଜା ଆଣିଲା ଦେଖ କିପାଁ ଧରି ।

ଯୋଗୀନ୍ଦ୍ରମାନେ କରନ୍ତି ଦେଖି ଜୟେ ଜୟେ

ନମନ୍ତି ଯେ ସାଧୁଲୋକ ହରି ପଦ୍ମପାୟେ ।

ନଗ୍ରର ଲୋକେ କରନ୍ତି ଦେଖି ଦଣ୍ଡବତ

ବୋଲନ୍ତି ଅଲଭ୍ୟେ ଦୃଶ୍ୟ ହେଲେ ଜଗନ୍ନାଥ ।

ବୋଲନ୍ତି ଯେ ବୃଦ୍ଧଜନେ ମୋକ୍ଷଦାତା ହରି

ଘେନନ୍ତି ଯେ ପୁତ୍ରମାନେ ପିତାସମ କରି ।

ଅସୁରକୁଳକୁ ଦିଶେ ସୁବିଶାଳ କାୟେ

ଦିଶନ୍ତି ଦୁଷ୍ଟଜନଙ୍କୁ ଭଇରବ ପ୍ରାୟେ ।

ଭକ୍ତ ଜନଙ୍କୁ ଦିଶନ୍ତି ସେହି ବିଷ୍ଣୁ ପ୍ରଭା ।

ଏ ରୂପେ ନୃସିଂହ ଯାନ୍ତେ ଦିଶଇ ଯେ ଶୋଭା ।

କନକାବତୀ ନଗର ଦାଣ୍ଡେ ପ୍ରଭୁ ବିଜେ

ଚାଲନ୍ତି ଯେ ଲୀଳାଗତି ହୋଇ ଦେବରାଜେ ।

ଗରୁଡ଼ରେ ଅପସର ଦେଇ ନାରାୟଣ

ପିତାଙ୍କ ଦକ୍ଷ ଭାଗରେ ଯାନ୍ତି ରୁଣ ଝୁଣ ।

ରାଜାର ସିଂହ ଦୁଆରେ ହୋଇଲେ ପ୍ରବେଶ

କହିଲା ଦ୍ୱାରୀ ଯାଇଣ ପଢ଼ିହାରୀ ପାଶ ।

ଶୁଣି ପଢ଼ିହାରୀ କହେ ସେ ଚରଚିଆକୁ

ଚରଚିଆ ଚଳିଗଲା ସଭା ଭିତରକୁ ।

ପୂରିଅଛନ୍ତି ଅସୁର ସଭା ଜଗତୀରେ

ବସିଅଛି ମୃରାସୁର ଖରଡ଼ାସନରେ ।

କଣ୍ଠ ବିକଣ୍ଠ ଯେ ଦୁଇ ଛନ୍ତି ବେନି ପାଶେ ।

ବସିଛି ଆଗେ ଦାରୁଣ ଭାଇ ମନ ତୋଷେ ।

ସୁବିଜ୍ଞ ମନ୍ତ୍ରୀ ତହିଁର ପାର୍ଶେ ଅଛି ବସି

ମୁରର ସତରଲକ୍ଷ ପୁତ୍ରଛନ୍ତି ମିଶି ।

ସୁବେଶ ବେଶ ହୋଇଣ ମୁରଦୈତ୍ୟ ପୋଏ

ବସିଣଛନ୍ତି ପାଶେ ଗନ୍ଧର୍ବ ସଭା ପ୍ରାୟେ ।

ଆବର ନାତି ଅଛନ୍ତି ନବଲକ୍ଷ ବସି

ତାହାଙ୍କୁ ଦେଖିଣ ମୁର ମନ ହୁଏ ଖୁସି ।

ଆବର ଯେ ସେନାପତି ଛନ୍ତି ଚାରିଦିଗେ

ସୁଧର୍ମା ସଭା ପରାୟେ ବସିଛନ୍ତି ଆଗେ

କାଙ୍କୋଳ ସେ କାଳକେତୁ ପୁଣି ଲୋହାସୁର ।

ପ୍ରଳମ୍ବା ଜଳଘଣ୍ଟା ସୁମାଳି ମାଳବୀର ।

ସୁକେଶ ରଣଚୂଡ଼ ଚନ୍ଦ୍ରମାଳି ସର୍ଚ୍ଛିତ।

ବିକଚ ମୁଡ଼ା ଅସୁର ରାଜକଳ୍ପ ଦୈତ୍ୟ ।

ଆଲୋପି ବୀରଘଣ୍ଟ ସଲେପି ସଉଦାସ

ଅଶୀଳ ମହାଶୀଳ କୋଦଳ ଯେ ଚାରୁହଂସ ।

ରଣକେଶୀ କୃତକେଶୀ ବଜ୍ରକେଶୀ ବୀର

ସୁରକ୍ଷ ଭକ୍ଷ ରକ୍ଷ ଯେ ଖଡ଼ିକା ଅସୁର ।

ଏ ରୂପେ ଅଛନ୍ତି ବସି ଦୈତ୍ୟ ସେନାପତି

ମୁଖରାବର ଶବଦେ କମ୍ପେ ବସୁମତୀ ।

ସୁଜେଠି ଜଗଜ୍ଜେଠି ଯେ ଜୟ ମହାଦନ୍ତା

ଯୋଦ୍ଧାମାନେ ଅନର୍ଗଳେ ଛନ୍ତି ଅପ୍ରମିତା ।

ପାଇକ ରାଉତ ରଥୀ ଆଉ ମହାରଥୀ ।

ଯୋଜନ ପର୍ଯ୍ୟନ୍ତେ ବ୍ୟାପି ରହିଛନ୍ତି ପୃଥ୍ୱୀ ।

କାଖରେ ହସ୍ତ ପୂରାଇ ଶିରେ ଦେଇ କର

ଆଜ୍ଞାକୁ କର୍ଣ୍ଣ ଡେରିଣ ଥାନ୍ତି ସର୍ବନର ।

ସଇନ ବଳ ପଦାତି ଆଉ ଯୋଦ୍ଧା ଯେତେ

ସଭାତଳେ ପଟୁଆରି ଅଛନ୍ତି ସମସ୍ତେ ।

ସୁବର୍ଣ୍ଣ ବାଡ଼ି ଧରିଣ ରାଜ ଖୁଣ୍ଟିଆଏ

ସଭା ନିଃଶବ୍ଦ କରନ୍ତି ଠାଏ ଠାଏ ।

କେ ଅନ୍ତ କରିବ ତହିଁ ଦୈତ୍ୟ ଅକଳନା

ଆସ୍ଥାନ ପୂରି ବାହରେ ଅଛନ୍ତି ଅଗଣା ।

ହୀରା ନୀଳା ମାଣିକ୍ୟ ସେ ମୁକ୍ତା ମାଳି ମାଳି

ଥୋରହସ୍ତ ଧାରଣା କଳସ ତଳେ ଢାଳି ।

ସୁବର୍ଣ୍ଣ ସ୍ତମ୍ଭ ବେଡ଼େ ଲମ୍ବଇ ପାଟଝମ୍ପା

ସାରି ସାରି କେରି କେରି ଗଜମୋତି ଝମ୍ପା ।

କ୍ଷୀରୋଦ ପାଟପତନୀ ଉପରେ ଚାନ୍ଦୁଆ

ରତ୍ନଖଟେ ବସିରାଜା ଭୁଞ୍ଜେ ପାନ ଗୁଆ ।

ସୁବର୍ଣ୍ଣ ଆଲଟ ପଙ୍ଖା ବିଞ୍ଚଣୀ ଚାମର

ପଡ଼ୁଅଛି ଚାରିପାଖେ ରାଜାର ଛାମୁର ।

ହଡ଼ପ ଚନ୍ଦନ ପାନପୁଲ ଧୂପ ଧୂଆଁ

କୁଙ୍କୁମ କସ୍ତୁରୀ ମିଶି କୃଷ୍ଣାଗୁରୁ ଚୂଆ ।

ବାହୁଟି ମୁଦି କଙ୍କଣ ବିଦ ବେନିଭୁଜେ

ଦିଗବାରଣେ ଚିରାଳ ଶୂନ୍ୟେ ଉଡ଼ି ସାଜେ ।

ବାମକରେ ଛୁରୀ କାତି ପରିଘ ମୁଦ୍‌ଗର

ଦକ୍ଷିଣ ଭାଗରେ ଗଦା ଖଡ଼୍‌ଗ ଅଶିବର ।

ପାଣ୍ଡୁର ବର୍ଣ୍ଣ ମୁଖ ପିଙ୍ଗଳବର୍ଣ୍ଣ ନିଶ ।

ରକ୍ତ କୁମୁଦ ପରାୟେ ନେତ୍ର ପରକାଶ ।

ତାମ୍ବୁଳ ହେ ଭୁଞ୍ଜିବାରେ ଓଷ୍ଠ ଦିଶେ ରଙ୍ଗ।

ବିରାଜେ ହୀରାକୁଣ୍ଡଳ ବେନି କର୍ଣ୍ଣଯୁଗ ।

ଉଚ୍ଚାରେ କୁଲିଶ ଶବ୍ଦ ପ୍ରାୟ ମୁଖୁଁ କଥା।

ପ୍ରତାପୀ ତିନିପୁରରେ ଦୈତ୍ୟ ମହାରଥା ।

ପନୀର ଯେ ଚତୁଃସମ ଲେପି ନିଜ ଅଙ୍ଗେ

ପତନୀ ନବରଙ୍ଗରେ ଶୋହେ କଟିଭାଗେ ।

ଘାଗୁଡ଼ି ଅଷ୍ଟରତନ ସ୍ୱର୍ଣ୍ଣସୂତ୍ରେ ଗୁନ୍ଥି ।

ଅଣ୍ଟାରେ ଖଞ୍ଜିଛି ପୁଞ୍ଜି ପୁଞ୍ଜି ବେଢ଼ଯନ୍ତ୍ରୀ ।

କାଛେଣୀ ନାଗବନ୍ଧରେ ଯମଦାଢ଼ ଖୋଷି।

ହସ୍ତରେ ବେଳେ ବେଳେକେ ମୋଡ଼େ ନିଶ ହସି।

ତିନିପୁରୁ ଆସିଛନ୍ତି ଯେତେ ଲୋକ ଆଦ୍ୟେ

ଥୋକାଏ ଋଷିମାନେ ତ ଛନ୍ତି ସଭାମଧ୍ୟେ ।

ବାସବ ଯମ ଅନଳ ପବନ ନୈର୍ଋତେ ।

ଖଟଣି ସେବାରେ ଜଗିଛନ୍ତି ଯେଝାମତେ ।

କରନ୍ତି ଯାହାର ଯେଉଁ ସେବା ନିତ୍ୟେ ଆସି

ଆବୋରି ସଭାରେ ଛନ୍ତି ସ୍ଥାନମାନ ବସି ।

କୁବେର ଯେ ଚନ୍ଦ୍ର ସୂର୍ଯ୍ୟ ବାୟୁ ମୃତ୍ୟୁଞ୍ଜୟେ।

ଏମାନେ ମୁରକୁ ସେବୁଛନ୍ତି ଅପ୍ରମେୟେ ।

ଦୁଷ୍ଟ ଲୋକଙ୍କୁ ସେ ଜାଣ ସର୍ବେ ଥାନ୍ତି ଡରି ।

ବିନାଶନ୍ତି ତାକୁ ଏକା ଯଥାକାଳେ ହରି ।

ଅଳ୍ପାୟୁଷ ହୁଅଇ ସେ ନିଜଦୋଷ ବଳେ।

ଏ କଥା ହେଜି ବୁଝି ନ ପାରେ କେତେବେଳେ।

ନୃସିଂହଙ୍କର କନକାବତୀ ପୁରରେ ପ୍ରବେଶ ଓ ରାଜପୁତ୍ରଙ୍କର ବିଦ୍ୟାଶିକ୍ଷା

ଏଥୁଅନ୍ତେ ବାଣୀ ଶୁଣ ହୋ ନାରଦଋଷି।

ଚାର ଯାଇଁ ଜଣାଇଲା ସଭାମଧ୍ୟେ ଆସି ।

ସେ କାଙ୍କୋଳସୁର ଆଗେ ଖବର କହିଲା

ଶୁଣନ୍ତୁ ହେ ବୀରମଣି ନୃସିଂହ ଆସିଲା ।

ସିଂହଦ୍ୱାରେ ଆସି ଅଛନ୍ତି ଜାଣ ରହି ।

ଆସିବେ ରାଜାର ଆଜ୍ଞା ହେଲେ ବେନିଭାଇ ।

ଶୁଣିଣ କାଙ୍କୋଳସୁର ଉଠିଲା ତତ୍କାଳେ ।

ରାଜା ଛାମୁରେ କହିଲା ଯାଇଁ କର୍ଣ୍ଣମୂଳେ ।

ବୋଇଲା ଭୋ ସାବଧାନେ ଶୁଣ ଦୈତ୍ୟରାୟେ।

ସିଂହଦ୍ୱାରେ ଆସିଣ ହେଲେ ବିପ୍ରପୋଏ ।

ଶ୍ରୀଆଜ୍ଞା ହେଲେ ଆସିବା ତାଙ୍କୁ ଆମ୍ଭେ ଘେନି

ଚିହ୍ନିବା କେହ୍ନେ କହିବେ ସେହି କଥାମାନି ।

ଏହା ଶୁଣି ମୁର ହସି ବୋଲେ ଘେନି ଆସ।

ତାଙ୍କ ରୂପ ଦେଖି ଆଗ ଜାଣିବା ଭବିଷ୍ୟ ।

ଶୁଣିଣ କାଙ୍କୋଳାସୁର ଗଲା ତତକ୍ଷଣ ।

ବୋଇଲାକ ରାଜା ଆଜ୍ଞା ହେଲା ବେଗେ ଆଣ।

ଏହା ଶୁଣି ଚରଚିଆ ଗଲା ବେଗେ ଧାଇଁ ।

ଦେଖିଲା ସିଂହଦ୍ୱାରରେ ଛନ୍ତି ବେନିଭାଇ ।

ଅଶୀଳକୁ ବୋଇଲା ହେ ଶୀଘ୍ର ଉଠିଆସ ।

ରାଜା କହିଲେ ଆସନ୍ତୁ ସଙ୍ଗେ ଜଗଦୀଶ ।

ଉଠିଲା ଶୁଣି ଅଶୀଳ ଦୈତ୍ୟ ଅତି ବେଗେ ।

ଗରୁଡ଼ ରଥ ଚଳାଇ ଦେଲା ସଙ୍ଗେ ସଙ୍ଗେ ।

ସଭାକୁ ଯାନ୍ତେ ଦିଶିଲା ପ୍ରଭୁ ତିନିରୂପେ ।

ଗରୁଡ଼କୁ ବିଶ୍ୱଗର୍ଭେ ରଖିଦେଲେ ଗୋପ୍ୟେ ।

ଯାହାର ଯହିଁରେ ମନ ଯେମନ୍ତ ସ୍ୱଭାବ ।

ସେହି ରୂପରେ ଦିଶନ୍ତି ତାକୁ ବସୁଦେବ ।

ଆବର ଦେବଙ୍କୁ ଦିଶନ୍ତି ସେ ବିଷ୍ଣୁ ପ୍ରାୟେ ।

ଦିଶନ୍ତି ଋଷିଯାକଙ୍କୁ ଶଙ୍ଖ ଚକ୍ର କାୟେ ।

ପାତାଳରୁ ନାଗଲୋକେ ଆସିଥିଲେ ଯେତେ ।

ସେ ବୋଇଲେ ଆସିଲେକ ହରି ମୂର୍ତ୍ତିମନ୍ତେ ।

ନରଲୋକ ବୋଇଲେ ଏ ନିଶ୍ଚେଁ ପରଂବ୍ରହ୍ମ

ଏହାଙ୍କୁ ଯେ ଭଜଇ ସେ ଭକତ ଉତ୍ତମ

କୋଟିଏ ତପ କଲେ ନ ଦେଖି ଯାହା ଭଲେ ।

ସେ ପ୍ରଭୁ ଦୈତ୍ୟସଭାରେ ଆସି ଦେଖାଦେଲେ।

ଏ ରୂପେ ବୋଲି ନମନ୍ତି ସର୍ବେ ଖଣ୍ଡ ଦୂରୁ।

ଅସୁରକୁ ଡରି କେହି ନ ଉଠେ ସଭାରୁ ।

ମୁରକୁ ଦିଶିଲେ ସେହୁ ଯଥା ପରଂବ୍ରହ୍ମ ।

ଶଙ୍ଖ ଚକ୍ର ଗଦା ପଦ୍ମ ରାଜେ ସରିସମ ।

ଦୈତ୍ୟମାନଙ୍କୁ ଦିଶନ୍ତି କାଳଯମ ପ୍ରାୟେ ।

ସୁବିଜ୍ଞ ମନ୍ତ୍ରୀକି ଦିଶନ୍ତି ସେ ବ୍ରହ୍ମମୟେ ।

ବିଷ୍ଣୁଙ୍କୁ ଦେଖିଣ ମନ୍ତ୍ରୀ ମନେ କରେ ସ୍ତୁତି ।

ସେ ସ୍ତୁତି କରିବାର ଜାଣନ୍ତି ଜଗଜ୍ଜ୍ୟୋତି ।

ଅନ୍ତର୍ଯ୍ୟାମୀ ଶ୍ରୀହରି ସେ ସବୁ ହୃଦେ ଥାନ୍ତି ।

ଯେ ଯାହା ପାଞ୍ଚେ ତାହା ସେ ସବୁ ଜାଣିଥାନ୍ତି ।

ଅଶୀଳ ଦେଖେ ଏକା ଗରୁଡ଼ମୟ ରଥ ।

ଏ ରୂପେ ଚାଲନ୍ତି ମାୟା ଢାଳି ଜଗନ୍ନାଥ ।

ପାବଚ୍ଛକୁ ପାବଚ୍ଛ ଶଥେ ପାବଚ୍ଛ ଯାଏ।

ଚଢ଼ି ଯାଉଁ ଯାଉଁ ପ୍ରଭୁ ପାଞ୍ଚନ୍ତି କଥାଏ ।

ବୋଲନ୍ତି ଧନ୍ୟରେ ମୁର ତୋର ଭାଗ୍ୟ ରାଶି ।

ଏତେକାଳ ଯାଏ ଶିରୀ ଭୋଗ କଲୁ ଆସି ।

ଦେବଲୋକ ନରଲୋକ ନାଗଲୋକ ମୂଳେ ।

ଖଟାଇ ରଖିଲୁ ଆଣି ୟାଙ୍କୁ ସଭାତଳେ ।

ଏବେ ବିଧାତା ଫେଡ଼ିଲା ଆଣି ତାଙ୍କ ଦଶା ।

ମଞ୍ଜାରୀର ଭୟେ ଯେହ୍ନେ ଲୁଚିଯାଏ ମୂଷା ।

ଏମାନେ ସେହିରୂପରେ ହେଲେଜାଣ ତୋତେ

ଗୁହାରି କେବଳ ଯଆଇ ଏକା ମୋତେ ।

ତାହାଙ୍କ ବିକଳ ଆମ୍ଭେ ନ ପାରିଲୁ ସହି ।

ଜନ୍ମିଲୁ ଆସି ମାନବ ତନୁ ଆମ୍ଭେ ବହି ।

ବିଷ୍ଣୁର ହାତେ ମରିବୁ ବୋଲି ଜାଣିଥିଲୁ ।

ଏବେ ପୁଣି ଖୋଜି ଲୋଡ଼ି ଗୃହେ ଅଣାଇଲୁ ।

ସୁପଣ୍ଡିତ ଜନମାନେ କରନ୍ତି ଯା ଲକ୍ଷ୍ୟ ।

କେତେବେଳେ ନୁହଇ ସେ କଥା ଜାଣ ମିଛ ।

ମୂର୍ଖ ଦେହରେ ଦଣ୍ଡ ନ ପଡ଼ିବା ପର୍ଯ୍ୟନ୍ତେ ।

ନ ମାନେ କାହାକୁ ସେ ସଂସାରେ ଛନ୍ତି ଯେତେ।

ତାହାର ସୁଖ କଥାତ ସେ ଏକା ଜାଣଇ ।

ପ୍ରମାଦ ମାଡ଼ି ପଡ଼ିବ ବୋଲି ନ ପାଞ୍ଚଇ ।

ଏହିଠାରୁ ମୃତ୍ୟୁ ତୋତେ ହେଲା ପରାପତ ।

ଭଲକୁ ଲୋଡ଼ି ଲୋଡ଼ିଲୁ ଏବେ ମନ୍ଦକୃତ୍ୟ ।

କାହିଁ ହଜିଯିବ ଏବେ ଆସ୍ଥାନ ତୋହର।

କାଳକୂଟି ଭକ୍ଷି ଏବେ ନପାରୁ ଅସୁର ।

ଏତେ ପାଞ୍ଚି ଗୋବିନ୍ଦ ଆସ୍ଥାନ ତଳେ ମିଳି ।

ଜଳର ମଧ୍ୟରେ ଯେହ୍ନେ ହଂସ କରେ କେଳି ।

ମୃରାସୁର ପାସେ ଯାଇ ମିଳିବେ ଗୋବିନ୍ଦେ ।

ସଭାରେ ବସିଣ ଲୋକେ ଚାହାନ୍ତି ନିଃଶବ୍ଦେ ।

ବୃଷଭ ସୁରଭିପଲ ମଧ୍ୟେ ଯେହ୍ନେ ଦିଶେ।

ସେପରି ଦିଶନ୍ତି ସଭା ମଧ୍ୟେ ଜଗଦୀଶେ ।

ତାରାଗଣଙ୍କ ମଧ୍ୟରେ ଚନ୍ଦ୍ର ଯେହ୍ନେ ଉଦେ ।

ନୃସିଂହ ଦିଶନ୍ତି ସେହିରୂପେ ସଭାମଧ୍ୟେ ।

ବିଜୁଳି କଳାମେଘରେ ଯେହ୍ନେ ଦିଶୁଥାଇ

ସେହିପରି ନୃସିଂହଙ୍କ ଜ୍ୟୋତ୍ସ୍ନା ବିରାଜଇ ।

ଦୈତ୍ୟକୁ ଦିଶନ୍ତି ମହାପ୍ରଭୁ ମେରୁପ୍ରାୟେ।

ଦେଖିକରି ଦୈତ୍ୟଯାକ କରୁଥାନ୍ତି ଭୟେ ।

ଏଥୁଅନନ୍ତରେ କଥା ଶୁଣ ହେ ନାରଦ ।

ଦୈତ୍ୟଙ୍କ ସଭାରେ ବିଜେ କଲେକ ଗୋବିନ୍ଦ ।

ରାଜାର ଆଗେ ମିଳିଲେ ଯାଇ ବେନିଭାଇ।

ଦେଖିଲା ବିଷ୍ଣୁଙ୍କୁ ମୁର ନୟନ ପୁରାଇ ।

ପାଦଠାରୁ ଶିରଯାଏ ନିରେଖି ଚାହିଁଲା।

ଥରେ ଚକ୍ଷୁ ବୁଜି ପୁଣି ଲେଉଟି ଚାହିଁଲା ।

ଲୋତକ ଧାରା ନୟନୁ ପଡ଼େ ଖସି ତାର

ପରଳ ଫାଟିଣ ଲୁହ ବହେ ଝର ଝର ।

ବସନ କରରେ ଧରି ପୋଛେ ହସ୍ତ ଟେକି ।

ମନରେ ପାଞ୍ଚେ ଆଣିଲି ଭଲା ଶତ୍ରୁ ଡାକି ।

ହାତରେ ମୋ ପଡ଼ିଲାଣି ଆଉ ଯିବେ କାହିଁ

ଯାହା ପାରିବି କରିବି ତାହା ଘରେ ଥୋଇ ।

ପୋଷିଲା ମାଛ ପରାୟେ ହେଲେ ଏବେ ମୋର

ବାପକୁ ଯେ ପଠିଆଇ ଦେବି ଆଗ ତାର ।

ତହିଁ ଉତ୍ତାରୁ ରଖିବି ପୁଣ ଦିନାକେତେ ।

କଳେ କୌଶଳେ ମାରିବି ପୁତ୍ରଙ୍କର ହସ୍ତେ ।

ଏ ରୂପେ ବିଷ୍ଣୁ ବୋଲି ନ ଥିଲି ମୁହିଁ ଜାଣି ।

ବୁଝିଲି ନିଶ୍ଚୟ ଏହୁ ଅଟେ ଚକ୍ରପାଣି ।

ଏହାକୁ ମାରି ପାରିବି ଯେବେ ମୁହିଁ ହସ୍ତେ ।

ଅମର ହୋଇ ରହିବି ମୁହିଁ ଦିନାକେତେ

ନୋହିଲେ ମରିବି ଏହା ହାତେ ଯେବେ ମୁହିଁ

ରହିବି ବୈକୁଣ୍ଠପୁରେ ମୋକ୍ଷ ହୋଇ ଯାଇ ।

ଏ ରୂପେ ପାଞ୍ଚି ଲେଉଟି ପୁଣି ବିଚାରିଲା ।

ଏହି ବେନି ଭାଇ ହାତେ ହେବ କିସ ଭଲା ।

ବୁଝିଲେ ଅଟନ୍ତି ସିନା ବ୍ରାହ୍ମଣର ବତ୍ସି

ସଙ୍ଗେ ସୈନ୍ୟବଳ ଆଣି ନାହାନ୍ତି ଯେ କିଛି ।

ମୋହର ଯେ ବୁଝିଲେତଛନ୍ତି ଯେତେ ସୈନ୍ୟ

ଚବିଶ ସେନା ଅଟନ୍ତି ମୋର ଜାତୁଧାନ ।

ଦାରୁଣ ଭାଇ ବ୍ରହ୍ମାଣ୍ଡ ଜିଣିପାରେ ଅଚ୍ଛି

ମୋହଠାରୁ ବଳିୟାର କ୍ଷତ୍ରିୟ କେ ଅଛି ।

ଆବର ବାଳକେ ମୋର ଯେତେକ ଅଛନ୍ତି

ସତର ଲକ୍ଷ କୁମର ନବଲକ୍ଷ ନାତି ।

ଏହାଙ୍କ ହାତରେ ଆଗ କଳେ ମରାଇବି

ଏମାନେ ନ ପାରିଲେ ମୁଁ ପଛେ ସଂହାରିବି ।

ଏରୂପେ ପାଞ୍ଚି ବଲ୍ଲଭ ରାଜା ମୁଖ ଚାହିଁ

ବୋଇଲା ତୁମ୍ଭେଟି ପରା ବଦ୍ରିକା ନୃସାଇଁ ।

ତୁମ୍ଭର ନୃସିଂହ ଶେଷ ଦୁହେଁ କି ହେ ସୁତ।

କି ରୂପେ ସାଧିଲେ ବିପ୍ର ହୋଇ କ୍ଷତ୍ରିବୃତ୍ତ ।

ଯାହାର ଯେବଣ ବିଦ୍ୟା ତାଙ୍କ ତାହା ଗଚ୍ଛେ

କାହୁଁ ଏହି ବିଦ୍ୟାଯାକ ଶିଖିଲେ ତୋବତ୍ସେ ।

ତୁମ୍ଭର ପୁତ୍ର ବୋଲିଣ ନ ଥିଲି ମୁଁ ଚିହ୍ନି ।

ତୁମ୍ଭ ପୁତ୍ର ବୋଲି କହିଲେ ନାରଦ ମୁନି ।

ତେଣୁ କରି ଡକାଇମ ଆଣିଲି ମୁଁ ଜାଣ ।

ବିଦ୍ୟା କହିବାକୁ ଶ୍ରେଷ୍ଠ ଅଟନ୍ତି ବ୍ରାହ୍ମଣ ।

ବ୍ରାହ୍ମଣ ମୁଖେ ପୁରାଣ ବିଦ୍ୟା ଶୁଣୁଥିଲେ।

ତାହାର ବଂଶ ଉଜ୍ଜ୍ୱଳ ହୁଏ କର୍ମ କଲେ ।

ତୁମ୍ଭର ପୁତ୍ରେ ହୁଅନ୍ତୁ ଶିଖନ୍ତୁ ଏବେ ବିଦ୍ୟାଗୁରୁ

ମୋହର ପୁତ୍ରେ ଶିଖନ୍ତୁ ବିଦ୍ୟା ତାଙ୍କଠାରୁ ।

ତୁମ୍ଭର ଶ୍ରଦ୍ଧା ହୋଇଲେ ତାଙ୍କ ସାଥ ଥାଅ ।

ନୋହିଲେ ସମର୍ପି ଦେଇ ରାଜ୍ୟେ ତୁମେ ଯାଅ।

ମାସକ ମଧ୍ୟେ ପଢ଼ାଇ ଜାଣ ବିଦ୍ୟା ତତ୍ତ୍ୱ।

ତୁମ୍ଭ ରାଜ୍ୟକୁ ମେଲାଣି ହୋଇଯିବେ ଏଥୁ ।

ମାୟାବଲ୍ଲଭ ଏ ରୂପେ ରାଜା ମୁଖୁ ଶୁଣି ।

ବୋଇଲେ ତୁମ୍ଭେତ ଅଟ ଦୈତ୍ୟ ଶିରୋମଣି ।

ଏଥକୁ ତୁମକୁ ପଦେ କହୁଅଛି ମୁହିଁ।

ଶୁଣିଣ କୋପ ନ କର ଏକା ରାଜା ତୁହି ।

ମୋହର ବେନି ପୋଏତ ଅଟନ୍ତି ଅଲ୍ୟଳ

ଯେ ଭଜିପାରେ ତାହାର ଲାଗନ୍ତି ଯେ ମୂଲ ।

ଯେ ଯାହା ମାଗନ୍ତି ଦ୍ୟନ୍ତି ବଳେ ତାଙ୍କୁ ତାହା

ଏ ରୂପେ ନୃସିଂହ ମୋ ଅଟନ୍ତି ଚଉବାହା ।

କାହାକୁ କେବେ ପଢ଼ାଇ ନାହିଁ ଏହୁ ପାଠ।

ପ୍ରଥମ ଦିନୁ ନାହାନ୍ତି ଘରେ ଖେଳି ଲାଟ ।

ସଂସାର ଲୋକେ ଖେଳନ୍ତି ଯେତେବେଳେ ଖେଳ

ତାହା ତ ଜାଣି ନାହାନ୍ତି ମୋର ବେନିବାଳ ।

ବାଳକ ଦିନରୁ ଅନ୍ନ ଭୁଞ୍ଜି ନ ଜାଣନ୍ତି ।

ଭୁଞ୍ଜାଇଣ ଦେଲେ ଜାଣ ତେବେ ସେ ଭୁଞ୍ଜନ୍ତି ।

ଓଁକାର ମନ୍ତ୍ରେ ପ୍ରସାଦ ନେଇ ଲାଗି ଦେଲେ ।

ମହା ସୁଖେ ଭୋଗ ଭୁଞ୍ଜି ବସିଥାନ୍ତି ଭଲେ ।

ଆବର ତିନି ଧୂପ ଯେ ପାଞ୍ଚ ଅବକାଶ ।

ଏରୂପେ ଘେନନ୍ତି ନିତ୍ୟ ପୂଜା ଜଗଦୀଶ ।

ବଡ଼ସିଂହାର ବେଶ ସେ ସର୍ବଦା ହୁଅନ୍ତି ।

ଏ ରୂପେ ପୁତ୍ରଙ୍କର ମୋ ଅଟେ ରାଜନୀତି ।

ବୁଝିଲେ ପୃଥ୍ୱୀଯାକୁ ତୁ ଅଛୁ ସାଧ୍ୟ କରି ।

ତୋ ତୁଲେ ପାରିବେ କି ମୋ ପୋଏ ଶସ୍ତ୍ର ଧରି।

ଆପଣ ଲୋଡ଼ିଲାରୁ ଯେ ଆଣିଲଇଁ ମୁହିଁ ।

ଦେଖିଲେ ଦୟା କରିବୁ ଅବା ବୋଲି ତୁହି ।

ତୁ ଆଜ୍ଞା କଲେ ନିଅନ୍ତି ମୋର ବେନି ଶିଷ୍ୟ।

ଏହା ଶୁଣି ମୃରାସୁର ହେଲା ହସ ହସ ।

ବୋଇଲା ଭଲ କହିଲୁ ତୁହି କଥା ପାଞ୍ଚି।

ଜାଣିବା ଲୋକ ହୋଇ ନ ଜାଣୁ ପରା କିଛି ।

ଆଣିଛି ଏତେ ଆଦର କରି ତୋର ବଳା ।

ଏବେ କିବୋଲି ବୋଲିବା ତୋତେ ଘେନି ପଳା।

ତାହାଙ୍କୁ ଆଣିଛି ବିଦ୍ୟା ପଢ଼ାଇବେ ବୋଲି ।

ତୁହି ବୋଲୁଅଛୁ ଆମ୍ଭେ ଯିବୁ ଘେନି କାଲି ।

ଆସିଲେ ସେ କାହିଁପାଇଁ ଯିବେ କାହିଁପାଇଁ ।

ଏ କଥା ବିଚାର ତୋର ମନେ ହେଉ ନାହିଁ ।

ମୁଁ ଏବେ କହୁଅଛି ତୁ ଏବେ ଚଳିଯାଅ ।

ମାସ ପୁରିଲେ ତୋ ପଛେ ଯିବେ ବେନିପୁଅ ।

ଏବେ ତାଙ୍କୁ ମୋତେ ଯେବେ ସମର୍ପିଣ ଯିବୁ ।

ବିଷ୍ଣୁର ପରାୟ ତାଙ୍କୁ ଆମ୍ଭେ ପାଳିଥିବୁ ।

ଏମନ୍ତେ ଆମ୍ଭେ କାହୁଁ ନ ଯିବୁ ଯେବେ ତୁହି ।

ତୋତେ ଆଉ କହିଲେକି ହେବ ବଳିଆଇ ।

ଯିବାର ମନ ହେଲେତ ବେଗେ ଚଳିଯାଅ ।

ମହତ ଊଣା କରିଣ ବଚନ ନ କହ ।

ଏ ରୂପେ ଦୈତ୍ୟ ଆଣ୍ଟରେ କଥା କହି କହି ।

ତରାଟିଲା ଚକ୍ଷୁ ବେନି ରାଜାଙ୍କୁ ଅନାଇ ।

ଦଇତ୍ୟର ଚକ୍ଷୁତ୍ରାସ ଦେଖି ଭଗବାନ

ଅନ୍ତର୍ଗତରେ ପାଞ୍ଚିଣ ବିଚାରିଲେ ମନ ।

ବୋଇଲା ଆସିଲ ଘେନି ପାପିଷ୍ଠ ତ ମୋତେ।

ହାତେ ପଡ଼ିବା ଦ୍ରବ୍ୟ ନ ଛାଡ଼େ କଦାଚିତେ ।

ଏହି ରୂପେ ମନେ ମନେ ପାଞ୍ଚି ଭାବଗ୍ରାହୀ ।

ବୋଲନ୍ତି ହେ ସାବଧାନେ ଶୁଣ ନୃପସାଇଁ ।

ଆମ୍ଭେ ଯେ ବିପ୍ର କୁଳରେ ହେଲୁ ଅବତାର

ଧରିଲୁ ନୃସିଂହ ନାମ ରହି କଳେବର ।

କେବଳ ପୁରାଣ ବେଦ ଶାସ୍ତ୍ର ଆମ୍ଭେ ପଢ଼ୁ

ଭଜନ କରୁ ହସ୍ତରେ ଧରି ତମ୍ବା ଗଡ଼ୁ ।

କେବଳ କଉତୁକରେ କ୍ଷତ୍ରୀ ସଙ୍ଗେ ପଡ଼ି

ଶିଖିଛୁ ଥୋକାଏ ଧନୁର୍ବିଦ୍ୟା ଗୁରୁ ଲୋଡ଼ି ।

ଓହୋଟ ବାହାସ୍ଫୋଟ ଝଞ୍ଜାଳି ଚଉଦଳ

ଜାରଣ ମାରଣାଦି ଧାରଣ ଅନର୍ଗଳ ।

ଚକା ବରଡ଼ ଯେ ଖମ୍ବ ମାଲବିନ୍ଧା ଯାଏ

ଏ ବିଦ୍ୟାକୁ ଶିଖାଇଲେ କୋପିବୁ ତୁ ରାୟେ ।

ଏହା ଶୁଣି ମୃରାସୁର ମନେ ଅଳ୍ପ ହସି

ବୋଲେ ଏ ରୂପେ ମିଳିବେ କାହୁଁ ଗୁରୁ କାହୁଁ ଆସି ।

ନୃସିଂହ ବୋଇଲେ ତେବେ ତୋଳ ବିଦ୍ୟାଘର

ଯୋଜନ ଅନ୍ତରେ ନଦୀ ଶରଣାର ତୀର ।

ଶରଣଭଦ୍ରା ବୋଲି ସେ ତୀର୍ଥନାମ କହି

ସେଠାରେ ବିଦ୍ୟା ପଢ଼ିବେ ତୋର ପୋଏ ଯାଇ।

ଗଣେଶ ଶାରଦା ଦେବୀ ସ୍ଥାପିବ ସେଠାରେ

ଆମ୍ଭେ ମଧ୍ୟ କରିବାକ ବସା ସେହିଘରେ ।

ଶରଣଭଦ୍ରା ନାମରେ ଅଟେ ସେହୁ ନଦୀ

ସେଠାରେ ପଢ଼ିଲେ ବିଦ୍ୟା ଶୀଘ୍ର ହେବ ସିଦ୍ଧି ।

ତୁମ୍ଭର ମନ ଆମ୍ଭଙ୍କୁ ହେଲା ଯେବେ ଶ୍ରଦ୍ଧା

ପଢ଼ନ୍ତୁ ତୋର ତନୟେ ସବୁ ଧନୁର୍ବିଦ୍ୟା ।

ଏହା ଶୁଣି ହେଉ ବୋଲି ବୋଲେ ଦୈତ୍ୟରାଜା

ଶ୍ରୀଆଜ୍ଞା ପ୍ରମାଣେ କଲେ ନଗରକୁ ଖଞ୍ଜା ।

ମାୟାବଲ୍ଲଭ ମେଲାଣି ମାଗି ଚଳିଗଲେ ।

ତତକାଳେ ଶ୍ରୀନୃସିଂହ ଦେହେ ଲୀନ ହେଲେ ।

ଦିଶିଲେ ଦୈତ୍ୟମାନଙ୍କୁ ରାଜ୍ୟେ କଲା ପ୍ରାୟେ ।

ଶୁଣ ହେ ନାରଦ ବୋଲି କହନ୍ତି ଧାତାଏ ।

ଶ୍ରୀବିଷ୍ଣୁଙ୍କ ଯୋଗମାୟା ସବୁଙ୍କୁ ଅଜଣା।

ଦେଖୁ ଦେଖୁ ପ୍ରାଣୀମାନେ ହୁଅନ୍ତି ଯେ ବଣା ।

ମେଲାଣି ପାଇ ବଲ୍ଲଭ ରାଜାଆଗୁ ଗଲେ

କେହି ନ ଜାଣିନ୍ତି ବିଷ୍ଣୁ ଦେହେ ଲୀନ ହେଲେ ।

ଏଥିଉତ୍ତାରୁ ରାଜାର ମଉଳିଲା ସଭା

ଗଲେ ଯେ ଯାହାପୁରକୁ ଋଷି ନରଦେବା ।

ନୃସିଂହ ଶେଷଦେବଙ୍କୁ କରାଇ ଗୌରବ

ଆଖଡ଼ା ନଗ୍ର ମଧ୍ୟରେ ଦେଲା ନେଇ ଠାବ ।

ପାଚେରୀ ସେ ବେଢ଼ାଇଲା ଗୃହ ଚଉପାଶେ

ଜଗୁଆଳ ଲୋକ ନେଇ ରଖିଲା ହରଷେ ।

ଆବର ଲକ୍ଷେକ ଲୋକ ପାହାରି ରଖିଲା

ବେନି ଭାଇଙ୍କୁ ସେ ନେଇ ନଗ୍ରେ ବନ୍ଦିକଲା ।

ସେ ଦୁହିଁଙ୍କୁ ବାହାରକୁ କେବେ ନ ଛାଡ଼ଇ ।

ସେ ବନ୍ଦିକଥା ଜାଣନ୍ତି ଏକା ଭାବଗ୍ରାହୀ ।

ନୃସିଂହ ପ୍ରଭୁ ମନରେ ଯେତେ କଥା ଅଛି

ମୃରାସୁର କୁ ଗୋଚର ତାହା ନାହିଁ କିଛି ।

ମାରିବି ବୋଲି ରଖିଛି ସିନା ବନ୍ଦିକରି

ଜାଣନ୍ତି ତାହାର ମନକଥା ଏକା ହରି ।

ଆଖଡ଼ା ନଗ୍ରରେ ପ୍ରଭୁ ହୋଇଲେ ପ୍ରବେଶ

ଗରୁଡ଼କୁ ସଙ୍ଗେ ନେଉଥିଲେ ଜଗଦୀଶ ।

ଏଣେ ବ୍ରହ୍ମା ନୃସିଂହଙ୍କ ବାର୍ତ୍ତା ସବୁ ପାଇ

ପେଷିଲେ ବିଶ୍ୱକର୍ମା କୁ ସୁଧାଭାଣ୍ଡ ଦେଇ ।

ବୋଇଲେ ନୃସିଂହ ପାଶେ ବ୍ୟଗ୍ରେ ତୁମ୍ଭେ ଯାଅ

ଯେବଣ ଆଜ୍ଞା ଦେବ ସେ କଥା କରୁଥାଅ ।

କନକାବତୀରେ ପ୍ରଭୁ ଯେତେଦିନ ଥିବେ

ଆସ ଯାଅ ହେଉଥିବୁ ହରି ବିଳସିବେ ।

ଏ ରୂପେ ବିଶ୍ୱକର୍ମାକୁ ବ୍ରହ୍ମା କହି ପେଷି

ମିଳିଲା ସେ ବିଶ୍ୱକର୍ମା ମାୟାରୂପେ ଆସି ।

ନୃସିଂହଙ୍କ ପଦ୍ମ ପାଦେ ଆସି ପ୍ରଣମିଲା

ବିଧାତା କହିବା ବାକ୍ୟ ଆନନ୍ଦେ କହିଲା ।

ଅଷ୍ଟ ରତନରେ ଖଞ୍ଜି ଆସନ କରିଲା

ଏଥିରେ ବିଜୟେ କର ବୋଲି ଜଣାଇଲା ।

ମୁକୁତା ହୀରା ନୀଳା ଯେ ମାଣିକ ବୈଡ଼ୁର୍ଯ୍ୟ

ସୁବର୍ଣ୍ଣରେ ନିର୍ଭା କରିଦେଲା ସର୍ବ ସଜ ।

ବ୍ରହ୍ମାଙ୍କ ଉପନ ଆଣିଥିଲା ଯେତେ ବିଧି

ନୃସିଂହ ମଣୋହିକି ଯେ କରିଦେଲା ସିଦ୍ଧି ।

ହୀରା ନୀଳା ଯେ ବାଙ୍କୁଆ ଆସନ ଗୃହକୁ

ଖଞ୍ଜିଲା ସମସ୍ତ ଆଣି ନୃସିଂହ ଦେବଙ୍କୁ ।

ଗଜମୋତି ପଲ୍ୟଙ୍କ ସୁପାତି ଶେଯ ଆଦି

ଯାବତ ସର୍ଜନା କରିଦେଲେ ବିଶ୍ୱଭେଦୀ ।

ବୋଇଲା ବ୍ରହ୍ମାଙ୍କ ବୋଲେ ଛାମୁକୁ ଆସିଲି

ଦଇତ୍ୟକୁ ଦୃଶ୍ୟ ନୋହି ଅଳ୍ପ ନିର୍ଭା କଲି ।

ଯାହାର ଆଜ୍ଞାରେ କୋଟି ସୃଷ୍ଟି ହେବ ସଜ

ସେ ପ୍ରଭୁଙ୍କୁ କେତେମାତ୍ର ଅଟଇ ଐଶ୍ୱର୍ଯ୍ୟ ।

ପ୍ରଭୁ ପାଶେ ବିଶ୍ୱକର୍ମା ଜଣାନ୍ତେ ଏରୂପେ

ମନେ ମନେ ମହାପ୍ରଭୁ ହସନ୍ତି ଅଳପେ ।

ବୋଲନ୍ତି ବିଶ୍ୱକର୍ମାକୁ ଚାହିଁ ଭାବଗ୍ରାହୀ

ଯାଅ ଯା ଚଳି ଏଠାରୁ ବେଗେ ଏବେ ତୁହି

ଆମ୍ଭେ ଚିନ୍ତିଲେ ଏକା ଯା ଆସ ହେଉଥିବୁ

ଆମ୍ଭର କଥା ଲାଗିଲା ତୋତେ ଏଥେ ସବୁ ।

ଏହା ଶୁଣି ବିଶ୍ୱକର୍ମା ଗଲା ସୁଧା ଦେଇ

ବୋଇଲା ସୁମରିଲେ ମୁଁ ନିଶ୍ଚେ ଆସିବଇଁ ।

ଏଥିଉତ୍ତାରୁ ଆସିଣ ହେଲା ସନ୍ଧ୍ୟାକାଳ

ଆଳତି ଧୂପଲାଗି ଯେ ହେଲେ ଆଦିମୂଳ ।

ପ୍ରତିଦିନ ଯଥାବିଧି ସବୁ ରାଜନୀତି

ନୃସିଂହ ପ୍ରଭୁଙ୍କୁ କରେ ସେ ଗରୁଡ଼ ଯତି ।

ଗରୁଡ଼ ଏକା ଯାବତ ନିତ୍ୟାଚାର କରେ

ଦଇତ୍ୟକୁ ନୁହେଁ ଜଣା କନକାବତୀରେ ।

ବ୍ରହ୍ମା ପଠଆଇ ଥିଲେ ସେ ଅମୃତଭାଣ୍ଡ

ଆବର ଦେଖିଲେ ତହିଁ ଅଛି ପୁରି ଖଣ୍ଡ ।

ନୃସିଂହ ବୋଇଲେ ଏହା ପରଷିବ କେହୁ

ଭୁଞ୍ଜିବା ଆଗ ସୁଖରେ ସବୁ କଥା ଥାଉ ।

ମିଳିବ ଅପୂର୍ବ ଫଳ ରସ ଯେବେ ଆସି

ତତ୍କାଳେ କରିବ ସୁଖେ ଭୋଗ ତାହା ବସି ।

ନବୀନ କୁସୁମବତୀ ନାରୀ ଥିବ ଯାର

ହେଳା କରି ତାହାକୁ ଯେ ରଖେ ବାପଘର ।

ସେହି କତା ବିଡ଼ମ୍ବଣ ହୁଅଇ ତତ୍କାଳେ

ଏ କଥା ଚିହ୍ନି ପାରନ୍ତି ଏକା ସାଧୁ ଶୀଳେ ।

ଗରୁଡ଼ ବୋଇଲେ ପ୍ରଭୁ ତୁମ୍ଭେ ସୃଷ୍ଟିକର୍ତ୍ତା

ମିଳନ୍ତେ ଆପଣ ମନେ କଲେ ଲୋକମାତା ।

ଆନ ଲୋକ ଛୁଇଁ ଯେବେ ସୁଧା ପରଷିବ

ଭୁଞ୍ଜି ବସିଲେ ଜଣକୁ ତାହା ନ ଅଣ୍ଟିବ ।

ଅମୃତହସ୍ତା ମାନବ ପରଷିଲେ ଜାଣ

ଭୁଞ୍ଜିଣ ସନ୍ତୁଷ୍ଟ ହେବେ ଶତସସ୍ର ଜଣ ।

ପୁଣି ଦେଖିଲେ ଥିବ ସେ ସୁଧାଭାଣ୍ଡ ପୁରି

କେବଳ ପରଷି ଏକା ପାରନ୍ତି ତା ଶିରୀ ।

ଳକ୍ଷ୍ମୀ ନୃସିଂହ ବିନୁ ନ ପାରେ କେହୁ ବାଣ୍ଟି।

ଛୁଇଁଲେ ଅପର ଜନ ସୁଧା ଯିବ ତୁଟି।

ଲକ୍ଷ୍ମୀ ଠାକୁରାଣୀ ଏକା ପରଷି ପାରନ୍ତି

ନୋହିଲେ ଶ୍ରୀନାରାୟଣ ପରଷି ଜାଣନ୍ତି ।

ଗରୁଡ଼ଠାରୁ ଏରୂପେ କଥା ଶୁଣି କରି

ଅଙ୍ଗ ଉଲୁସାଇ ଦେଲେ ତତକ୍ଷଣେ ହରି ।

ନୃସିଂହ ଆଗେ ପ୍ରକାଶେ ହେଲେ ଲକ୍ଷ୍ମୀଆସି

କୁମାର ପୌର୍ଣ୍ଣମୀ ଦିନ ଯେହ୍ନେ ଦିଶେ ଶଶୀ ।

ଏହା ଦେଖି ଖଗେଶ୍ୱର ନମେ ପଦେ ପଡ଼ି

ପୁଣି ଉଠି ଉଭାହୋଇ କହେ କରଯୋଡ଼ି ।

ବୋଲଇ ଜନମକାଳକୁ କଲି କେତେ ତପ

ଏତେକାଳରେ ଦେଖିଲି ଆସି ଲକ୍ଷ୍ମୀରୂପ ।

ସାକ୍ଷାତରେ ଏକ ଅଙ୍ଗ ଲକ୍ଷ୍ମୀ ନାରାୟଣ

ଯୁଗାନୁସାରେ ବହନ୍ତି ଏହିରୂପ ଜାଣ ।

ଶ୍ରୀମହାଲକ୍ଷ୍ମୀ ସଂସାରେ ଏକା ଠାକୁରାଣୀ

କରନ୍ତି ସବୁରି କନ୍ଧେ ବିଜେ କମଳିନୀ ।

ସାକ୍ଷାତରେ ଶ୍ରୀନୃସିଂହ ପ୍ରଭୁ ପରଂବ୍ରହ୍ମ

ଯେ ସାନ ବଡ଼ କରେ ତା ଅଟେ ମତିଭ୍ରମ ।

 

ଯାବତ ଅବତାରେ ଠାକୁର ଠାକୁରାଣୀ

ଯାବତ ସ୍ତିରୀଙ୍କ ପରେ ଲକ୍ଷ୍ମୀ ଶିରୋମଣି ।

ନୟନ ପୁରାଇ ମୁହିଁ ଦେଖିଲଇଁ ଏବେ

ସଦାକାଳେ ସେବୁଥିବି ମୁହିଁ ଭକ୍ତିଭାବେ ।

ଏହାଶୁଣି କମଳିନୀ ଅଳ୍ପମନେ ହସି

ବୋଇଲେ ଦୟା କଲେଣି ତୋତେବ୍ରହ୍ମରାଶି ।

ନୃସିଂହ ପ୍ରଭୁ ତ ତୋତେ ଦେଲେ ଯେତେ ବର

ସେହି କଥା ଯାକ ସିଦ୍ଧି ହେଉ ଖଗେଶ୍ୱର ।

ଏଥୁ ଅନନ୍ତରେ ପ୍ରଭୁ ନୃସିଂହ ଠାକୁର

କମଳା ବଦନ ଚାହିଁ କହନ୍ତି ଯେ ଗିର ।

ବୋଇଲେ ସଖୀ ତୁମ୍ଭେ ତ ସବୁ ଅଛ ଜାଣି

ଆମ୍ଭେ ଜୀବ ତୁମ୍ଭେ ଅଟ ପରମ ଯେ ଶୁଣି ।

ତେଣୁ ହେ ପରମଲକ୍ଷ୍ମୀ ତୁମ୍ଭ ନାମ ରାଶି

ସବୁରି କନ୍ଧରେ ତୁମ୍ଭେ ସଦା ଥାଅ ବସି ।

କୀଟୁ ବ୍ରହ୍ମଯାଏ ଦିଅ ସମସ୍ତଙ୍କୁ ପଡ଼ି

ଭଣ୍ଡାରୁ ତୁମ୍ଭେ ନିଅ ଯା ଭାଗ୍ୟ ଯାହା ଲୋଡ଼ି ।

କରନ୍ତି ପ୍ରାଣୀ ଅଦୃଷ୍ଟ କୁଶଳରେ ଭୋଗ

ମରଇ ହିଂସ୍ରକ ପର ସୁଖ ଦେଖି ଆଗ ।

କର୍ମାନୁସାରେ ପ୍ରାଣୀଙ୍କୁ ଥାଅ ତୁମ୍ଭେ ଖଞ୍ଜି

ଯେ ଯେତେ ଯୋଗ୍ୟ ଧନରେ ତାକୁ କର ରାଜି।

ଏବେ ଯେ ବିଧାତା ଜାଣ ଦଧିଭାଣ୍ଡ ଦେଇ

ଆମ୍ଭର ପାଶକୁ ଦେଇଛନ୍ତି ପଠିଆଇ ।

ତୁମ୍ଭେ ଏବେ ତାହାକୁଟି ପରଷି ଯେ ଦେବ

ସୁଖେ ଭୁଞ୍ଜିବୁ ଗରୁଡ଼ ଆମ୍ଭେ ଶେଷଦେବ ।

ନିର୍ମଳବତୀ ସ୍ତିରୀଏ ଅନ୍ନ ପରଷିଲେ

ତିନିଜଣର ଗ୍ରାସ ପଞ୍ଚଙ୍କୁ ଅଣ୍ଟେ ଭଲେ ।

ଆମ୍ଭେ ତ ଏଠାରେ ଚାରିମୂର୍ତ୍ତି ଜାଣ ଥାଇ

କେଉଁ ରୂପରେ ବଞ୍ଚିବା କାଳ ସୁଖ ପାଇ

ଏହା ଶୁଣି ମନେ ହସି ଭୃଗୁଋଷି ସୁତା

ବୋଇଲେ ତୁମ୍ଭର ନାମ ଅଟେ ସୁଧାଭୋକ୍ତା ।

ଅମୃତ ଭକ୍ଷଣ କଲେ କ୍ଷଣେ ଯିବ ସରି

ତୁମ୍ଭର ଏକା ଅମୃତ ନାମ ଅଟେ ହରି ।

ଶ୍ରୀହରି ନାମ ଅମୃତ ଆପ୍ୟାନ ଯେ କରେ

ସେ ସୁଧା ପିଇଲେ ପ୍ରାଣୀ ସଂସାରରୁ ତରେ ।

ଖାଇଲେ ଅମୃତ ଷଡ଼ରସ ଯାଏ ସରି

ବୁଝିଲେ ହରିରସ କଳନା ନୋହେ କରି ।

ଅମୃତ ହରି ରସ ଯେ ପ୍ରାଣୀ ଭୁଞ୍ଜିପାରେ

ତାହାର ପୁଣ୍ୟଭାଗ କେ ଲେଖିବ ମହୀରେ ।

ଆବର ଷଡ଼ରସ ଖାଇଲେ ଲୋଭ କରି

ସମୟେ ବ୍ୟାଧି ଜନ୍ମିଣ ନିଶ୍ଚେ ଯାନ୍ତି ମରି ।

ଏହା ଶୁଣି ସତ ବୋଲି ପାଞ୍ଚିଲେ ଶ୍ରୀହରି

ବୋଇଲେ ସୁଧା ଭୁଞ୍ଜିବା ଏବେ ଆଗକରି ।

ଶୁଣିଣ କମଳିନା ମଣୋହି କୋଠି ଲିପି

ଝୋଟି ମୁରୁଜ ଲେଖିଣ ସ୍ୱର୍ଣ୍ଣ ପିଢ଼ା ଥାପି ।

ବେନି ଭାଇଙ୍କ ଆସନ ବେନି ନିର୍ଭା କଲେ

ଶୁଣି ଶେଷଦେବ ବଡ଼ ଆନନ୍ଦ ହୋଇଲେ ।

ବୋଲନ୍ତି ଯେ ଲୋକମାତା ଅଟେ ମାତା ସମ

ଜ୍ୟେଷ୍ଠଭ୍ରାତା ପିତା ସମ ଆମ୍ଭ ପରଂବ୍ରହ୍ମ ।

ଲକ୍ଷ୍ମୀ ନୃସିଂହ ଅଟନ୍ତି ଏକଇ ମୂରତି

ପାଞ୍ଚିବେ ଆବିଳ ଏଥି ହେବ ନର୍କଗତି ।

ଏହା ବୋଲି ଲକ୍ଷ୍ମୀପାଦେ ନମି ଶେଷଦେବ

ବୋଇଲେ ବହୁତ ଦିନ ଭେଟ ନାହିଁ ତବ ।

ବରୁଣ ରାଜାଙ୍କ ଲାଖ ବିନ୍ଧିବାର କାଳେ।

ଲକ୍ଷ୍ମୀ ମାତାଙ୍କୁ ଯେ ଦେଖିଲଇଁ ଚର୍ମଡୋଳେ ।

ଶୁଣି ମହାଲକ୍ଷ୍ମୀ ମନେ ହରଷ ହୋଇଲେ

ଶେଷଦେବଙ୍କୁ ଚାହିଁଣ ବହୁ ପ୍ରଶଂସିଲେ ।

ବୋଇଲେ ନୃସିଂହଙ୍କର ତୁମ୍ଭେ ସାନଭାଇ

ତ୍ରେତୟାଯୁଗେ ଲକ୍ଷ୍ମଣ ପୁଣି ହେବ ଯାଇ ।

ଏ ବେନି ଯୁଗେ ତୁମର ଦିଅର ହୋଇବ

ଦ୍ୱାପର କଳିଯୁଗରେ ଦେଢ଼ଶୁର ହେବ ।

ଏ ଅବତାରେ ଆମ୍ଭକୁ ତୁମ୍ଭେ ଥିବ ମାନି

ସେବା କରୁଥିବ ହୃଦେ ଭକ୍ତିଭାବ ଘେନି ।

ତୁମ୍ଭେ ତ ଆମ୍ଭକୁ ସେବା ଯେତେ କରୁଥିବ

ତୁମ୍ଭର ସେ ସେବା ଯଥାକାଳେ ଶୁଝା ହେବ ।

ଦ୍ୱାପର କଳିଯୁଗେ ବଡ଼ ଠାକୁର ହେବ।

ତୁମର ଉଦ୍ଧାର ଶୁଝିବା ହେ ଶେଷଦେବ ।

ଦ୍ୱାପରଯୁଗେ ପୁଣି ଶ୍ରୀ ବଳଭଦ୍ର ରୂପେ

ଜନ୍ମିବ ବଡ଼ଠାକୁର ପଣେ ଯାଇ ଗୋପେ ।

ଶ୍ରୀକୃଷ୍ଣ ପ୍ରଭୁଙ୍କର ଯେ ହେବ ବଡ଼ଭାଇ

ଏହି କଥା ବେଦେ ଲେଖି ଅଛନ୍ତିଟି ବିହି ।

ନୀଳଗିରି ବଡ଼ଦାଣ୍ଡେ ଜଗନ୍ନାଥ ଆଗେ

ରଥରେ ବିଜେ କରିବ ବସି କଳିଯୁଗେ ।

ଏହାଶୁଣି ଶେଷଦେବ ବୋଲି ଲକ୍ଷ୍ମୀ ଆଜ୍ଞା

କେ ମେଣ୍ଟିପାରେ କମଳାଦେବୀ ବାକ୍ୟ ପ୍ରଜ୍ଞା ।

ଶୁଣି କମଳିନୀ ବଡ଼ ଆନନ୍ଦିତ ହେଲେ

ନୃସିଂହ ପାଦେ ସେବିଣ ପାକ ସମ୍ପାଦିଲେ ।

ମଣୋହି କୋଠିରେ ବିଜେ କଲେ ଦୁଇଭାଇ

ସୁବର୍ଣ୍ଣ ପୀଢ଼ା ପରେ ବସିଲେ ଭାବଗ୍ରାହୀ ।

ରତ୍ନ ପୀଢ଼ାରେ ବସିଲେ ପୁଣି ଶେଷଦେବ

ଗରୁଡ଼ ଅନ୍ତରେ ବସି ଭଜେ ବାସୁଦେବ ।

ନୃସିଂହ ବୋଇଲେ ତୁମ୍ଭେ ଶୁଣ ଖଗେଶ୍ୱର

ଅନ୍ତର ହୋଇ ବସିଲେ କିପାଁ ଖଣ୍ଡେ ଦୂର ।

ଷଡ଼ ଯତିରେ ଜଣେ ତୁ ଅଟୁ ମୋର ଭକ୍ତ

ଭକ୍ତେ ନ ଦେଇ ଆମ୍ଭେ ନ ଭୁଞ୍ଜିପାରୁ ଭାତ ।

ତୋହର ମୋହର ମଧ୍ୟେ ହେଲେ ଭୋଗଲାଗି

ସର୍ବେ ମୋକ୍ଷ ହୋନ୍ତି ଭୁଞ୍ଜି ପ୍ରସାଦକୁ ବେଗି ।

ତୋର ମୋର ପ୍ରସାଦକୁ ମହାନିର୍ମାଲ୍ୟ ଅଟେ

ଆଗେ ଥିବୁ ବସି ନୀଳଗିରି ବଇକୁଣ୍ଠେ ।

ସବୁ ଅବତାରେ ତୁହି ମୋହର ବାହନ

ତୋର ମୋର ପ୍ରସାଦଟି ସବୁରି ଭୋଜନ ।

ସବୁ ସମ୍ପ୍ରଦାକୁ ଆମ୍ଭ ପ୍ରସାଦ ନିର୍ମାଲ୍ୟ

ସେ ନିର୍ମାଲ୍ୟ ଅଟେ ଏକାଦଶୀ କଇବଲ୍ୟ ।

ନିରିମାଲ୍ୟ ସେବା ବିନା ଅମେଧ୍ୟ ଏ ଦେହୀ

ଅନ୍ତଃକାଳରେ ଶରୀର ନରକେ ପଡ଼ଇ ।

ସତତ ନିର୍ମାଲ୍ୟ ସେବା କରଇ ଯେ ପ୍ରାଣୀ

ଚଉଦ ବ୍ରହ୍ମାଣ୍ଡେ ତାର ପ୍ରାଣ ଧନ୍ୟ ପୁଣି ।

ତୁ ଯେବେ ମୋର ଆଗେ ନ ବସୁ ଖଗେଶ୍ୱର

ସେହି ମନ୍ଦିର ଗୋଟିକ ଅଟେ ଅସଂସ୍କାର ।

ମୋହର ଭକତ ଯେଉଁ ଦେବଗୃହେ ଥାନ୍ତି

ସେଠାକୁ ତ ସ୍ୱର୍ଗପୁର ତୁଲ୍ୟ ନ ପଡ଼ନ୍ତି ।

ତୁ ଏବେ ମୋହର ଆଗେ ବସ ଖଗେଶ୍ୱର

ମୁଁ ଜୀବ ଅଟେ ପରମ ଅଟୁ ତୁହି ମୋର ।

ଅଟନ୍ତି ଜୀବ ପରମ ଦୁଇ ଏକ ପ୍ରାଣ

ଏ କଥା ଚିହ୍ନି କେହି ନ ପାରେ ସଂସାରେଣ ।

ବୁଝିଲେ ଏଠାରେ ଆମ୍ଭେ ଚାରିମୂର୍ତ୍ତି ଥାଇ

ଶ୍ରୀଲକ୍ଷ୍ମୀ ନୃସିଂହ ଶେଷ ଗରୁଡ଼ ଯେ ହୋଇ ।

ଅମୃତକୁ ପରଷନ୍ତି ଲକ୍ଷ୍ମୀ ଠାକୁରାଣୀ

ମନ ଇଚ୍ଛାରେ ଭୁଞ୍ଜିବା ଆସ ସୁଖେ ପୁଣି ।

ଶୁଣିଣ ଗରୁଡ଼ପତି ଯୋଡ଼ି ବେନିକର

ବୋଇଲା ସବୁଦିନେ ମୁଁ ତୁମ୍ଭ ପରିଚାର ।

ତବ ଆଜ୍ଞା ପ୍ରମାଣରେ ଅଗ୍ରେ ଥିବି ବସି

ଦର୍ଶନେ କରିବେ ଜନେ ମୋ ଦେହ ଆଉଁସି ।

ସବୁରି କର ଲାଗି ବର୍ଦ୍ଧୁତେ ଥିବି ରହି

ତପସ୍ୟା କଲା ଲୋକକୁ ଏ ଭାଗ୍ୟ ମିଳଇ ।

ଶୁଣିଣ ହସିଲେ ମନେ ମେନ ଜଗଦୀଶ

ଲକ୍ଷ୍ମୀଙ୍କି ବୋଇଲେ ଏବେ ଅମୃତ ପରଷ ।

ଏହାଶୁଣି ମହାଲକ୍ଷ୍ମୀ ସୁଧା ଭାଣ୍ଡ ଆଣି।

ଚାରିଭାଗ କରି ଥୋଇ ଦେଲେ କମଳିନୀ ।

ନୃସିଂହ ପ୍ରଭୁଙ୍କୁ ନେଲେ ପହଣ୍ଡ ମଣାଇ

ମଣୋହି କୋଠରେ ବିଜେ କରାଇଲେ ନେଇ

ସରୁ ଝୀନ ପାଟ ପ୍ରଭୁ ହୋଇଲେକ ଲାଗି

ଆନନ୍ଦେ ମଣୋହି କଲେ ହୋଇ ଶେଷସଙ୍ଗୀ ।

ଆଚମନ ସାରିଣ ପଲ୍ୟଙ୍କେ ବିଜେ କଲେ

ଶ୍ରୀମହାଲକ୍ଷ୍ମୀ ସାରନ୍ତେ ଗରୁଡ଼ ସାରିଲେ ।

ଯେଉଁ ରୂପରେ ଅମୃତ ଭାଣ୍ଡ ପୂରିଥିଲା

ଲକ୍ଷ୍ମୀ ହସ୍ତ ଲାଗନ୍ତେ ତିଳାର୍ଦ୍ଧେ ନ ସରିଲା ।

ଏଥୁ ଅନନ୍ତରେ ନରସିଂହ ଦେବ ପୁଣି

ବକ୍ଷସ୍ଥଳେ କମଳାଙ୍କୁ ବସାଇଲେ ଆଣି

କୋଳରେ ଧରି ଶ୍ରୀଅଙ୍ଗେ ପ୍ରଭୁ ଗୋପ୍ୟକଲେ

ଦିଗବନ୍ଦନ କରିଣ ନିଦେ ପହୁଡ଼ିଲେ ।

ଶେଷ ମଧ୍ୟ ଆସନକୁ ଗଲେ ବିଜେ କରି।

ନିଦ୍ରାରେ ପହୁଡ଼ିଲେ ସେ ନୃସିଂହ ସୁମରି ।

ସୁଧା ଭୁଞ୍ଜିଣ ଗରୁଡ଼ ଜଗିକରି ବସେ ।

ସୁଦର୍ଶନ ବୁଲଇ ଯେ ନୃସିଂହ ଚୌପାଶେ ।

ଏଥୁ ଅନନ୍ତରେ ରାତ୍ର ହେଲା ଆସି ଶେଷ ।

ନୃସିଂହ ଶରଣ ବିପ୍ର ପୀତାମ୍ବର ଦାସ ।

ଶ୍ରୀନୃସିଂହ ପୁରାଣ ଏ ଅମୃତ ସାଗର।

ଶ୍ରୀନୃସିଂହ ଜନ୍ମଲୀଳା ଏ ଆଦ୍ୟ ଅବତାର ।

ବିଷ୍ଣୁ ଏଠାରୁ ମାନବ ଜନମ ହୋଇଲେ ।

ଚାରି ଅବତାରେ ଚାରିଲୀଳା କରିଗଲେ ।

ନୃସିଂହ ବାମନ ଅନ୍ତେ ପର୍ଶୁରାମ ରାମ ।

କୃଷ୍ଣ ଅବତାର ପୁଣି ହେଲେ ପରଂବ୍ରହ୍ମ ।

ସବୁ ଅବତାରେ ସାର ନୃସିଂହାବତାର ।

ତାହା ଲେଖିବାକୁ ମୁହିଁ କେତେକ ମାତର ।

ବିପ୍ରକୁଳେ ଜନ୍ମି ମୁହିଁ ହେଲି ଅତି ଦୁଃଖୀ ।

ଋଷିକୁଲ୍ୟା ନଦୀ ଜଳ ଖାଇ ହୁଏ ସୁଖୀ ।

ଗୃହ ଖଣ୍ଡେ ବାନ୍ଧି ମାତ୍ର ନଦୀତୀରେ ଅଛି ।

କୁଟୁମ୍ବ ପୋଷେ ଦାତାଏ ଦେଲେ ନିତ୍ୟେଯାଚି ।

ପୃଥିବୀଯାକ ଭ୍ରମିଣ ଦାତାଏ ଦ୍ୱାରୁ ଆଣି ।

ଭୋଜନ କରି ପିଅଇ ଋଷିକୁଲ୍ୟା ପାଣି ।

ଏଣୁକରି ସୁଜନେ ମୋ ଦୋଷ କ୍ଷମାକର।

ବାଲୁକେଶ୍ୱର ଶିଷ୍ୟ ମୁଁ ବିପ୍ର ପୀତାମ୍ବର ।

ନୃସିଂହଙ୍କୁ ମାରିବାପାଇଁ ମରାସୁରର ଚିନ୍ତା ଓ ମଦନାବତୀ ରାଣୀ ସହିତ ପରାମର୍ଶ

ଏଥୁ ଅନନ୍ତରେ କଥା ଶୁଣ ହେ ନାରଦ

ବିଷ୍ଣୁ ଆସନ୍ତେ ମରକୁ ଆସେ ନାହିଁ ନିଦ ।

କିରୂପେ ମାରିବି ବୋଲି ମନେ ହୁଏ ଘୋଷି ।

ମଦନାବତୀ ରାଣୀର ପାଶେ ଯାଇଁ ବସି ।

ବୋଇଲା ସଖି କହିବି ଶୁଣ ଆରେ ତୋତେ

ତୋହଠାରୁ ବିଶ୍ୱାସୀ କେହି ହେଉନାହିଁ ମୋତେ।

ତୁ ମୋର ପ୍ରାଣମଣି ମୁଁ ତୋର ପ୍ରାଣସଖା

ଏକପ୍ରାଣ ବୋଲିଣ ତୁ ଜାଣ ମୋତେ ଏକା ।

ମଦନାବତୀ ବୋଲେ ତୁମ୍ଭେ ମୋ ଆତ୍ମାଲିଙ୍ଗ

ମୋର ଆତ୍ମାକୁ ତୁମେ ପ୍ରତ୍ୟକ୍ଷ ବିଷ୍ଣୁ ଅଙ୍ଗ ।

ପତ୍ନୀକି ପତି ଅଟନ୍ତି ଜାଣ ବିଷ୍ଣୁ ସମ

ମିଳନ୍ତି ଯେ ଯାହା ଭାଗ୍ୟ ଘେନି ସ୍ୱାମୀ ବ୍ରହ୍ମ ।

ପରପୁରୁଷେ ଯେବଣ ନାରୀ ମନ ଦ୍ୟନ୍ତି।

ମଲେଣ ତିନିପୁରେ ନ ମିଳେ ତାଙ୍କ ଗତି ।

ତଥାପି ଜନ୍ମିଲେ ସେ ବେଶ୍ୟାରେ ଯାଏ ଦିନ

ତେଣୁ ସେ ପତି ପତ୍ନୀର ଏକା ଭଗବାନ ।

ଏହାଶୁଣି ମୃରାସୁର ବୋଲେ ନିଶ୍ଚେ ସତ

ବୁଝିଲେ ତୋର ପ୍ରାୟେ ନ ମିଳେ ସ୍ତିରୀଭକ୍ତ ।

ଯୁବତୀ କୁଳକୁ ତୁହି ପରମ ବୈଷ୍ଣବୀ

ତେଣୁ ଗୋ ଗୁପ୍ତକଥା ତୋ ଆଗେ କହିବି ।

ଯେବଣ କାଳେ କଲଇ ମୁହିଁ ଦିଗବିଜେ

ବିଷ୍ଣୁଙ୍କୁ ପୋଡ଼ିଥିଲଇଁ ନେଇ ଅଗ୍ନି ତେଜେ ।

ମଲା ସେ ବିଷ୍ଣୁ ବୋଲିଣ ନିଶ୍ଚିତ ହୋଇଲି

ଏବେ ସେ ଜନ୍ମିଲା ଯେ ବଦ୍ରିକାନାମେ ପଲ୍ଲୀ

ନାରଦ ଗୋସାଇଁ ତାହା କହିଗଲେ ମୋତେ

କହିଲି ଏ ମହା ଗୁପ୍ତବାଣୀ ଜାଣ ତୋତେ ।

ନାରଦଙ୍କର ପୟରେ ନମିଲି ମୁଁ ଯାଇ।

ବିଷ୍ଣୁ ଜନ୍ମିଲେ ବୋଲିଣ ଗୁପ୍ତେଗଲେ କହି ।

ଆଣିଲି ତେଣୁ ମୁଁ ଦୂତ ପେଷି ତାଙ୍କୁ ଘେନି

ବିଦ୍ୟାଗୁରୁ କରିଣ ମୁଁ ନଗ୍ରେ ରଖିଲିଣି ।

କଳ୍ପଯନ୍ତ୍ର କରି ତାକୁ ଫାନ୍ଦେ ପକାଇବି

ଗୁପ୍ତେ କହି ପୁତ୍ରଙ୍କର ହସ୍ତେ ମରାଇବି ।

ପୋଏ ନ ପାରିଲେ ମୁଁ ମାରିବି କୂଟଛନ୍ଦେ

ମଞ୍ଚପୁରେ ରହିବି ମୁଁ ତେବେ ଅପ୍ରମୋଦେ ।

ଏହାଶୁଣି ମହାଦେଈ ବସି ସ୍ତମ୍ଭୀଭୂତେ

ସରିଲା ସଂସାର ବୋଲି ପାଞ୍ଚେ ହୃଦଗତେ ।

ବୋଲଇ ନାରଦ ପରା ଅଟେ ତୁମ୍ଭ ଭାଇ

ମରଣ ବିଦ୍ୟା ସେ ଏକା ଗଲେ ଜାଣ କହି ।

ସଂସାରଯାକେ କେତେ ନ ଥିଲେ ବିଦ୍ୟାଗୁରୁ

ତାହା ଛାଡ଼ି ବିଷ୍ଣୁଙ୍କୁ ଆଣିଲ ବଦ୍ରିକାରୁ ।

ଯେଉଁ ପ୍ରଭୁ ଛନ୍ତି କୋଟି ବ୍ରହ୍ମାଣ୍ଡରେ ପୁରି

ତାଙ୍କୁ ରଖିଲ ତୁମ୍ଭେ କି ବୋଲି ବନ୍ଦିକରି ।

ଏହି ନୃସିଂହ ଜନ୍ମିଲେ ପୁଣି ଯେଉଁ କାଳେ

ଭଗବତୀ ମାତାଙ୍କର ଗର୍ଭୁ ଆଦି ମୂଳେ ।

ବାଳକ ରୂପରେ ଖେଳି କେତେଦିନ ଯାନ୍ତେ

ବିଷୟ ଭୋଲେ ପଡ଼ି ସେ ଭଗବତୀ ମାତେ ।

ନୃସିଂହ ପ୍ରଭୁ ଅଳି ନପାରି ମାଏ ସହି

ପୂରାଇଲେ ଗମ୍ଭୀରରେ କୁଞ୍ଚି ମୁଦ ଦେଇ ।

ଲାଗିବାରୁ କବାଟରେ ଶ୍ରୀ ନୃସିଂହ କର

ଚାହୁଁ ଚାହୁଁ ଫିଟିଗଲା କୁଞ୍ଚ ତତପର ।

ବଶିଷ୍ଠଙ୍କ ମୁଖ ଏହା ଶୁଣିଅଛୁ ଆମ୍ଭେ

କି ବୋଲି ତାଙ୍କୁ ବନ୍ଦୀରେ ରଖିଅଛୁ ତୁମ୍ଭେ ।

ଲାଗିଲେ ପ୍ରଭୁଙ୍କ ତୁଲେ ହେବ ନାହିଁ ପାର

ଲାଗିଲା ଏ କଥା ମୋତେ ଅଦ୍ଭୁତ ପ୍ରକାର ।

ପୃଥ୍ୱୀଯାକ ବିବାଦୀ ଯେ ହୋଇଥାଅ ତୁମ୍ଭେ

ତହିଁକି ତିଆରି ମୁହିଁ କହେ ନାହିଁ କେବେ

ସାକ୍ଷାତରେ ଅବତାର ହୋଇଛନ୍ତି ହରି

ଜନ୍ମିବେ ବିପ୍ରର ଘରେ ନରରୂପ ଧରି ।

ଅମର ହେବାକୁ ଯେବେ ତୁମ୍ଭ ମନ ଅଛି

ବିଷ୍ଣୁଙ୍କୁ ବେଗରେ ଛାଡ଼ ସବୁ କଥା ମୁର୍ଚ୍ଛି ।

ଏମନ୍ତ ବୋଲିଣ ପତ୍ନୀ ସ୍ୱାମୀପାଦ ଧରି

ଲଦିଲା ମସ୍ତକେ ନେଇ ଅତି ଶୋକ କରି ।

ରାଣୀର ଏ ଶୋକ ଦେଖି କହେ ରାଜା ହସି

ବୋଇଲା ମୋର କଥା ନ ଜାଣୁ ଶୁଭ୍ରକେଶୀ ।

କୋଟୀଏ ସିଂହର ଅଟେ ମୋର ପରାକ୍ରମ

ସେ ବିପ୍ର ବେନିଭାଇ କି ହେବେ ମୋତେ ସମ।

ମୋହ ସମାନେ ବ୍ରହ୍ମାଣ୍ଡେ କ୍ଷତ୍ରୀ ନାହିଁ କେହି

ଚଉଦ ଭୁବନେ ମହାବୀର ଅଟେ ମୁହିଁ ।

ଦେଖୁଛି ଦଶଦିଗପାଳଙ୍କୁ ଧରିଆଣି

ଖଟଣିକାର କରି ରଖିଛି ମନ ଜାଣି ।

ବିଶାଶଏ ଯୋଜନ ଅଟଇ ମୋର ରାଜ୍ୟ

ପୂରିଅଛି ହୀରା ନୀଳା ମାଣିକ୍ୟ ବୈଡୁର୍ଯ୍ୟ ।

ତେତିଶକୋଟି ରାଣୀଙ୍କ ଉପରେ ତୁ ପାଟ

ବ୍ରହ୍ମାଙ୍କର ପୁତ୍ର ମୁହିଁ ଅଟେ କୁଳଶ୍ରେଷ୍ଠ ।

ମୋହର ଯେ ସାନଭାଇ ଅଛି ଜାଣ ଯେହୁ

ସମରରେ କରପତ୍ର ଯୋଡ଼େ ଦେଖି ରାହୁ ।

ସତର ଲକ୍ଷ କୁମର ନବଲକ୍ଷ ନାତି ।

ଏହାଙ୍କ ପାଦଘାତରେ କମ୍ପେ ବସୁମତୀ ।

ଯେତେ ମହାଯୋଦ୍ଧା ସେନା ମୋହର ଅଛନ୍ତି

ପ୍ରଳୟ ସମୁଦ୍ର ହେଲେ ରୁନ୍ଧି ସେ ପାରନ୍ତି

ବ୍ରହ୍ମପ୍ରଳୟ ପର୍ଯ୍ୟନ୍ତେ ଆୟୁଷ ମୋ ଅଛି

ଏଣେ ସଂସାରେ କାହାକୁ ମୁହିଁ ନ ଡରୁଛି ।

ଦାରୁଣ ଭାଇ ପୁତୁରା ପୁତ୍ର ମୋର ଯେତେ

ମେରୁକୁ ଟାଳି ପାରନ୍ତି ଏହୁ ବେନି ହସ୍ତେ

ବିଜୟ ନାମରେ ଯେଉଁ ରଥ ଅଛି ମୋର

ତହିଁରେ ବସିଲେ ମୁହିଁ ଜିଣିବି ତ୍ରିପୁର

ଏଡ଼େ ସମ୍ପଦ ମୋହର ପୁରେ ଅଛି ପୁରି

ନୃସିଂହ ବେନିଭାଇ କି ହେବେ ମୋତେ ସରି ।

କହିଲୁ ଯଦ୍ୟପି ବିଷ୍ଣୁ ବୋଲି ମୋତେ ବାଣୀ

ବିଷ୍ଣୁ ହାତେ ମଲେ ଯିବି ବଇକୁଣ୍ଠ ପୁଣି ।

ନୋହିଲେ ବିଷ୍ଣୁ ମରିବେ ଯେବେ ମୋର ହସ୍ତେ

ଅମର ହୋଇ ରହିବି ତେବେ ଦିନାକେତେ

ତଥାପି ସହସ୍ର ପାଦେ ଜନ୍ମିଲେ ଶ୍ରୀହରି

ତେବେ ଯାଇ ମୋତେ ଜିଣି ପାରିବଟି ମାରି ।

ସହସ୍ରପାଦ ପୁତ୍ର କେ ଜନ୍ମ କଲାଣି କି

ଗର୍ଭଫାଟି ପୁତ୍ର ମାତା ମରିବେ ନାହିଁକି ।

ଦେବରୁ ମାନବ ଯାଏ ଆଜି ପର୍ଯ୍ୟନ୍ତେଣ

ସସ୍ରପାଦେ କେହି ଜନ୍ମି ନାହିଁ ସଂସାରେଣ ।

ମାନବ ବିଷ୍ଣୁ କେବେ ନପାରେ ମୋତେ ମାରି

ଦେଖିଲେ ସହସ୍ର ପାଦ ବିଷ୍ଣୁ ଯିବ ମରି ।

ଏଥକୁ ଶୋଚନା ତୁ ନକର ପ୍ରାଣମଣି

ଅପାର କାଳର କଥା ଅଟେ ଏହୁ ବାଣୀ ।

ଏରୂପେ କେହି ଆସ୍ଥାନେ ରାଜା ଯାଇ ବସି

ଖଟିଲେ ଲୋକବର୍ଗ ଯେ ଯାହା ପୁରୁ ଆସି ।

ସୁବିଜ୍ଞ ମନ୍ତ୍ରୀ ଆଦି ଯେ ସର୍ବେ ସେନାଗଣେ

ଯେ ଯାହାଙ୍କ ଆସନେ ବସିଲେ ଅନ୍ୟୋନ୍ୟେ ।

ସମସ୍ତ ପୁତ୍ର ପୁତୁରା ନାତି ବେଶ ହୋଇ

ଦର୍ଶନ ଦେଲେ ସକଳେ ରାଜା ଅଗ୍ରେ ଯାଇ ।

ବିଶିଲା ସୁଧର୍ମାସଭା ପ୍ରାୟ ଶୋଭାବନ

ସବୁଙ୍କୁ ବସାଇ ପାଶେ ଦେଲାକ ଚୁମ୍ବନ ।

ବୋଇଲା କଥାଏ ଶୁଣ ସର୍ବ ପୁତ୍ରମଣି

ବିଦ୍ୟା କହିବାକୁ ଆସିଅଛି ଚକ୍ରପାଣି ।

ପଢ଼ିବ ତାହାଙ୍କଠାରୁ ବିଦ୍ୟା ବୋଲି ତୁମ୍ଭେ

ଦୂତ ପେଷିଣ ଡକାଇ ଆଣିଅଛୁ ଆମ୍ଭେ ।

ଶୁଣି ତନୟ ପୁଚ୍ଛିଲେ ବେନିକର ଯୋଡ଼ି

ବୋଇଲେକ ଆଜ୍ଞା ଦେଲେ ଯିବୁ ବିଦ୍ୟାପଢ଼ି ।

ସେ ଗୁରୁ ପାଶେ ନେଇଣ ଭେଟାଅ ଆମ୍ଭଙ୍କୁ

ଶୁଣି ଡକାଇଲେ ରାଜା ଶ୍ରୀଶୁକ୍ର ଗୁରୁଙ୍କୁ ।

ରାଜାଜ୍ଞା ପାଇ ସଭାକୁ ଶୁକ୍ର ବିଜେ କଲେ

ଦେଖିଣ ଅସୁରେ ଉଠି ପାଦେ ପ୍ରଣମିଲେ ।

ଆସନେ ବସାଇ ରାଜା ନମସ୍କାର କଲା

ମନରେ ଆନନ୍ଦ ହୋଇ ଯୋଗ ପଚାରିଲା ।

ଶୁକ୍ରବୋଇଲେ ପୁଚ୍ଛିଲ ମୋତେ ଯେବେ ଯୋଗ

ବିଷୟ ପୁଚ୍ଛିଲେ ସିନା କହିବା ତା ମାର୍ଗ ।

ରାଜା ବୋଇଲେ ହେ ଗୁରୁ ସାବଧାନେ ଶୁଣ

ଆଣିଅଛୁ ବଦ୍ରିକାରୁ ଦୁଇଟି ବ୍ରାହ୍ମଣ ।

ପୁତ୍ରେ ପଢ଼ିବେ ଆମ୍ଭର ବିଦ୍ୟା ତାଙ୍କଠାରୁ

ଏହି ଘେନି ଯୋଗ ଆମ୍ଭେ ପଚାରୁଛୁ ଗୁରୁ ।

ରାଜାର କଥା ଜାଣିଲେ ତହୁଁ ଶୁକ୍ରମୁନି

ପାଞ୍ଚିଲେ ବିଷ୍ଣୁଙ୍କୁ ଏବେ ଆସେ ରାଜା ଘେନି ।

ଏଡ଼େକ ସମ୍ପଦ ଗୋଟା କରିଲା ବିନାଶ

କହିଲେ ଘେନିବ ମନେ ଏହିକ୍ଷଣି ରୋଷ ।

ଯେବଣ ବିଷ୍ଣୁଙ୍କ ଦେବେ ବଇକୁଣ୍ଠୁ ଆଣି

ବଦ୍ରିକା ଆଶ୍ରମେ ଜନ୍ମ କରାଇଲେ ପୁଣି

ସେ ପ୍ରଭୁଙ୍କୁ ଆଣିଅଛି କପଟରେ ଧରି

କପଟୀ ଲୋକ ତ ଅଳ୍ପେ ଯାନ୍ତି ମରି ।

ଆମ୍ଭର ଏ କଥା ଯୋଗବଳେ ହେଲା ଜଣା

କହିଲେ କୋପିବ ସେ ନକରି ବୁଝାମଣା

ଛାଡ଼ିଲା ରାଜାର କାନ୍ଧୁ ଲକ୍ଷ୍ମୀ ଏବେ ଆସି

ମନେ ପାଞ୍ଚନ୍ତି ଏରୂପେ ବସି ଶୁକ୍ର ଋଷି।

ତଥାପି ରାଜାକୁ ତେବେ କହିବା ବଳାଇ ।

ଦେବତାମାନେ କୋପିବେ ସ୍ୱର୍ଗପୁରେ ଥାଇ ।

ବ୍ରହ୍ମା ଶୁଣିଲେ କରିବେ ପୁଣ ମନେ ଦୁଃଖ

ଉଚିତକୁହା ବୋଲିବେ ମୋତେ ଚତୁର୍ମୁଖ ।

ଆଉ ମୁରକୁ କହିବା ଯେବେ ହିତପଣେ

ନ ଘେନିଲେ ଆମ୍ଭକଥା ଯିବ ଅକାରଣେ ।

ବଳେ କହିଲେ ବଇରୀ ସବୁରି ହୋଇବା

ଏଥିରେ ଭଲ ବୋଲିଣ କି ଯୋଗ କହିବା ।

ଯାହା ସେ ହୋଇବ ତାହା ଧତା ଲେଖିଲେଣି

ଆମ୍ଭେ କହିଲେ ଆଉକି ହେବ ମନେ ଘେନି ।

ଏହି ରୂପରେ ମନରେ ପାଞ୍ଚି ଶୁକ୍ର ଗୁରୁ ।

ବୋଇଲେ ପୁତ୍ରେ ପଢ଼ନ୍ତୁ ବିଦ୍ୟା ଆଜିଠାରୁ ।

ଏକେ ତ ମେଷ ଶୁକ୍ରପଞ୍ଚମୀ ଗୁରୁବାର।

ଆଜହୁଁ ବିଦ୍ୟା ପଢ଼ନ୍ତୁ ପୁତ୍ରେ ଏକା ତୋର ।

ଏହା ଶୁଣି ମୃରାସୁର ମନେ ବଡ଼ ହସି

ବୋଇଲା ଅଟନ୍ତି ଆମ୍ଭ ଗୁରୁ ଶୁକ୍ରଋଷି ।

ନୁହନ୍ତା କହିଲେ ଆନ ଲୋକ ମନ ବୋଧ ।

ଯାଅରେ ମୋହର ପୁତ୍ରେ ବେଗେ ବିଦ୍ୟାସାଧ ।

ଗୁରୁଙ୍କୁ ସଙ୍ଗତେ ଘେନି ବିପ୍ରପାଶେ ଯାଅ।

ତୁମ୍ଭଙ୍କୁ ଭେଟ କରନ୍ତୁ ଭୃଗୁଙ୍କର ପୁଅ ।

ଆମ୍ଭର ମୂଳ ଏକ ତା ଅଟେ କ୍ଷତ୍ରିବିଦ୍ୟା ।

ଖଡ଼ଗ ଶାବେଳୀ ଧନୁଶର ଭାଲି ଗଦା ।

ଏହା ସାଧି ସମସ୍ତଙ୍କୁ ରଣେ ଆଗ ଜିଣ ।

କରିବ ଅନୁକୂଳ ସେ ଶୁକ୍ର ସଙ୍ଗତେଣ ।

ତୁମ୍ଭେତ ଜାଣ ହେ ଗୁରୁ ମୋର ବଳବୀର୍ଯ୍ୟ

ଯେହିରୂପେ ପୁତ୍ରମୋର ଲଭନ୍ତୁ ଐଶ୍ୱର୍ଯ୍ୟ ।

ଏହିରୂପେ ଆଶୀର୍ବାଦ ଦେଇ ବିଜେ କର ।

ଉଠିଲେ ରାଜାର ଆଜ୍ଞା ପାଇ ମୁନିବର ।

ମନେ ପାଞ୍ଚିଲେ ଦେଖିବା ଆଗେ ପଦ୍ମମୁଖ

ଦର୍ଶନକଲେ ତୁଟିବ କୋଟିଜନ୍ମ ଦୁଃଖ ।

ଆଦି ଅବତାର ଜନ୍ମ ହେଲେ ଏହିଠାରୁ

ଧଇଲେ ନରଦେହ କୃଷ୍ଣବଲ୍ଲଭ ଘରୁ ।

ସେହି ପ୍ରଭୁଙ୍କୁ ଦେଖିଲେ ହେବ ଭଲ ଲାଭ

ଦୈତ୍ୟଙ୍କ କପାଳେ ଯାହାଥିବ ତାହାହେବ ।

ଏରୂପେ କହିଣ ଋଷି ଦଇତ୍ୟଙ୍କୁ ଘେନି

ଉପନ ପୂଜା ସଙ୍ଗରେ ନେଲେ ଶୁକ୍ରମୁନି ।

ବାଜେ ମହୁରୀ କାହାଳି ଶଙ୍ଖ ବୀର ତୁର

ବାଟରେ ଯାଇ ଦୈତ୍ୟ ଦେଖିଲେ ଅପ୍ରକାର ।

ଭଲ୍ଲୁକ ଜୋକ ଭୁଜଙ୍ଗ ଗଧ ଗୃଧ୍ରପକ୍ଷୀ

ପଲପଲ ହୋଇଯାନ୍ତି ବଦନ ନିରେଖି ।

ଆବର ସେମାନେ ଉଚ୍ଚେ ଛାଡ଼ନ୍ତି ବୋବାଳି

ଏହା ଦେଖି ପୋଏ ଯାନ୍ତି ରାଜା ଆଜ୍ଞା ପାଳି ।

ଶରଣଭଦ୍ରା ତୀରାରେ ହୋଇଲେ ପ୍ରବେଶ

ଯହିଁରେ ବିଜୟ କରିଛନ୍ତି ଜଗଦୀଶ

ସେ ପ୍ରଭୁସ୍ଥାନେ ମିଳନ୍ତି ଯାଇ ଶୁକ୍ର ଗୁରୁ

ଦେଖିଣ ନୃସିଂହ ପ୍ରଭୁ ଚିହ୍ନିଲେ ଦୂରରୁ ।

ନୃସିଂହ ବୋଇଲେ ମୁନି ଶୁକ୍ର ଅଟ ତୁମ୍ଭେ

ଖଣ୍ଡଦୂରରୁ ଦେଖିଣ ଚିହ୍ନିଲୁଣି ଆମ୍ଭେ ।

ଶୁକ୍ର ବୋଇଲେ ହେ ପ୍ରଭୁ ତୁମ୍ଭେ ଅନ୍ତର୍ଯ୍ୟାମୀ

ଯାହାର ଲୋମମୂଳରେ କୋଟିବ୍ରହ୍ମା ଜନ୍ମି ।

ପଞ୍ଚାଶ କୋଟି ପୃଥିବୀ ଯାର ଯେତେ ସ୍ଥାନ

ଚିହ୍ନନ୍ତି ପୃଥ୍ୱୀର ଜୀବ ଯାକୁ ଭଗବାନ ।

ଏରୂପେ ଚିହ୍ନିବାକୁ ସଂସାରେ ଅଛି କେହୁ

କେବଳ ଭକ୍ତ ବୋଲରେ ଥାନ୍ତି ଚତୁର୍ବାହୁ ।

ସର୍ବଘଟେ ଥାଇ ବ୍ରହ୍ମାଣ୍ଡରେ ଛନ୍ତି ପୂରି

ଏକେତ ଚିହ୍ନି ନପାରେ କେହି ଦେହଧରି ।

ସବୁରି ମନର କଥା ଜାଣ ତୁମ୍ଭେ ପୁଣ

ସରଳ କପଟୀଜନଙ୍କର ଯେତେ ଗୁଣ ।

କପଟୀ ଲୋକମାନେ ତ ଅଳ୍ପେ ଯାନ୍ତି ନାଶ ।

ନିଷ୍କପଟୀ ଲୋକଙ୍କର ବଢ଼ୁଥାଏ ବଂଶ ।

ତୁମ୍ଭ ଅଚିହ୍ନା ହୋଇ କେ ଅଛି ଚକ୍ରପାଣି

ଆପଣଙ୍କ ଜନ୍ମ ଆମ୍ଭେ ଅଳ୍ପ ଅଛୁ ଜାଣି ।

କୃଷ୍ଣବଲ୍ଲଭ ଘରେ ଜନ୍ମିଲେ ଯେଉଁକାଳେ

ନୃସିଂହ ଅବତାରେ ଯେ ହେଲ ଆଦିମୂଳେ ।

ବୃହସ୍ପତିଙ୍କି ପେଷିଲେ ବ୍ରହ୍ମା ସେହିକ୍ଷଣି

ଜାତକ ଲଗ୍ନ ବୁଝି ସେ ଗଲେ ସବୁ ଗଣି ।

ବ୍ରହ୍ମାଙ୍କ ସଭାରେ ତୁମ୍ଭ ମହିମା କହିଲେ

ସେଠାରେ ବସି ବୁଝୁଛୁ ସବୁ ଆମ୍ଭେ ଭଲେ ।

ନୃସିଂହ ବୋଇଲେ ମୁନି ପ୍ରକଟ ନ କର

ଥୋକେ ଦୈତ୍ୟ ମାରିଯିବୁଁ ବଦରିକାପୁର ।

ତହିଁପରେ ମୃରାସୁର ପାଖେ ଜଣା ହେବୁ

ବଦ୍ରିକାଶ୍ରମରେ ଥାଇ ଦୈତ୍ୟ ସଂହାରିବୁଁ ।

ଆମ୍ଭଙ୍କୁ ମାରିବା ପାଇଁ ସେହୁ ଅଣାଇଛି

ଚାରିଲକ୍ଷ ପ୍ରହରୀଙ୍କି ଜଗାଇ ରଖିଛି ।

ସସ୍ରେ ମତ୍ତଗଜ ବାନ୍ଧିଅଛି ପୁଣ ଦ୍ୱାରେ

ପାଚେରୀ ଉଚ୍ଚରେ ଦେଖ ଟେକିଛି ଶୂନ୍ୟରେ ।

ଏରୂପେ କଲେ କିଏ ପାରିବ ମୋତେ ମାରି

ପରକୁ ଚିନ୍ତିଲେ ପାପ ତୁଟେ ତାର ଶିରୀ ।

ପ୍ରମାଦ ପାଞ୍ଚିଲେ ଲୋକ ଅଳ୍ପକେ ମରଇ ।

ଶୁକ୍ରଗୁରୁଙ୍କୁ କହିଲେ ପୁଣି ଭାବଗ୍ରାହୀ ।

ଆପଣ ବିଜୟେ କରି ଥାଅ ଏବେ ଚଳି ।

ଦୈତ୍ୟଙ୍କ ମରଣ ମୋତେ ହେଲା ଜପମାଳି ।

ଏହାଶୁଣି ଶୁକ୍ରଗୁରୁ ମନେ ହୃଷ୍ଟ ହେଲେ ।

ମୁର ପୁତ୍ରଯାକଙ୍କୁ ସମର୍ପି ବିଜେ କଲେ ।

ଆପଣା ପୁରରେ ଯାଇ ହୋଇଲେ ପ୍ରବେଶ ।

ନୃସିଂହ ଶରଣ ବିପ୍ର ପୀତାମ୍ବର ଦାସ ।

ଶ୍ରାନୃସିଂହଙ୍କ ଠାରୁ ମୁର ପୁତ୍ରଙ୍କର ବିଦ୍ୟାଶିକ୍ଷା

ଏଥୁଅନନ୍ତରେ ପୁଣ ଶ୍ରୀନୃସିଂହ ପ୍ରଭୁ।

ମୁର ପୁତ୍ରକୁ ବୋଇଲେ ବସ ବେଗେ ବାବୁ ।

ଗଣେଶ ପୂଜା କରିଣ ସରସ୍ୱତୀ ପୂଜ ।

ସକଳ ଆତ୍ମା ଶ୍ରୀହରି ବୋଲି ହୃଦେ ଭଜ ।

ଭଜିଲେ ଆତ୍ମାଯାକକୁ ସର୍ବେ ଏକା ପ୍ରାଣ ।

ନ ଭଜି ସଂସାରେ ପ୍ରାଣୀ ମରେ ଅକାରଣ ।

ଆତ୍ମା କୁଶଳ ବିଦ୍ୟା ସେ ସାଧିପାରେ ପୁଣି।

ଆବର ବିଦ୍ୟା କିଞ୍ଚିତ ପ୍ରାଏ ସେହି ମଣି ।

ଆତ୍ମାର ଗତାଗତକୁ ଜାଣିପାରେ ଯେହୁ।

ସଂସାରରେ ସୁପୁରଷ ଅଟେ ଜାଣ ସେହୁ ।

ଜୀବ ପରମ ଦୁହେଁ ଜୀବକୁ କାଣ୍ଡ ସିଦ୍ଧି।

ଏକାକାଣ୍ଡ ସିଦ୍ଧିକରି ପାରନ୍ତି ଯେ ବିନ୍ଧି ।

କରେ ଧରିଣ ସେ ତୀକ୍ଷ୍‌ଣ ମୁନିଆ ଯେ କାଣ୍ଡ

ଚିହ୍ନି ବିନ୍ଧିଲେ ଛିଡ଼ି ପଡ଼ନ୍ତି ଶତ୍ରୁ ମୁଣ୍ଡ ।

ଆରକକାଣ୍ଡ ମୁନ ଶକାର ପର ଅଟେ ।

ତାକୁ ବିନ୍ଧିଲେ ଭେଦି ପ୍ରଳୟକାଳ ତୁଟେ ।

ଦେହକୁ ଇନ୍ଦ୍ରିୟଗଣ ଜାଣ କାଳ ଶତ୍ରୁ

ଆତ୍ମାକୁ କ୍ଷୟ କରି ପକାନ୍ତି କୁଳଗୋତ୍ରୁ ।

ଇନ୍ଦ୍ରଗଣଙ୍କୁ ମାରି ଯେହୁ ସାଧ୍ୟ କରିପାରେ ।

ମହାକ୍ଷତ୍ରୀ ବୋଲି ତାକୁ ଲେଖି ଏ ଏସଂସାରେ।

ଇନ୍ଦ୍ରିୟଗଣରେ ବଶ ହ୍ୱନ୍ତି ଯେତେ ପ୍ରାଣୀ

ଜୀବକୁ ବଧ କରିଣ ପକାନ୍ତି ଯେ ହାଣି ।

ଜୀବ ତ ପରମବ୍ରହ୍ମ ଅଟେ ନାରାୟଣ

ଜୀବକୁ ମୂର୍ଖଲୋକେ ତ ମାରନ୍ତିଟି ଜାଣ ।

ଶରୀରରେ ଇନ୍ଦ୍ରଗଣଙ୍କୁ ସାଧି ନ ପାରଇ

ସାଧଇ କ୍ଷତ୍ରିୟବିଦ୍ୟା ପରେ ହିଂସା ବହି

ଇନ୍ଦ୍ରିୟଗଣଙ୍କୁ ସାଧି ନପାରେ ହୃଦରେ

ଜୀବକୁ ବିନାଶ ମାତ୍ର ଅସ୍ତ୍ର ଧରି କରେ ।

ଜୀବ ପରମ ବେନି ଯେ ନ ସାଧି ବିନ୍ଧିବ

ତାହାର କ୍ଷତ୍ରିୟ ବିଦ୍ୟା ଜୀବହତ୍ୟା ସର୍ବ ।

ଦୈତ୍ୟ ବୋଇଲେ କହିଲ ଗୁରୁ ତୁମ୍ଭେ ଯାହା

ବାପ ଅଜା କାଳୁ ଆମ୍ଭେ ଜାଣୁନାହିଁ ତାହା ।

ଏହା ଶୁଣି ନାରାୟଣ ହେଲେ ହସ ହସ

ପାଞ୍ଚିଲେ ମୂର୍ଖଆଗେ କହିଲେ ହେବ କିସ ।

ଅଚ୍ଛବ ହାତେ ପଡ଼ିବ ଯେବେ ଶାଳଗ୍ରାମ

ସେହି କେବେ ଚିହ୍ନଇକି କିବୋଲି ପରଂବ୍ରହ୍ମ ।

ଅସ୍ଥି ଦଣ୍ଡାରେ ପିଟିଣ କରେ ଗୁଣ୍ଡାକୃତ

କଥା କହିଲେ ମୂର୍ଖ ବୁଝନ୍ତି ଜ୍ଞାନତତ୍ତ୍ୱ ।

ଛେଚିଣ ଶାଳଗ୍ରାମକୁ କରେ ଖଣ୍ଡ ଖଣ୍ଡ

କହିଲେ ଅସୁରେ କି ଶୁଣିବେ ଜ୍ଞାନଦଣ୍ଡ ।

ପଢ଼ିଲେ ବ୍ରହ୍ମବିଦ୍ୟା ବୋଲାନ୍ତି କିସ କିସ

ଚାହାଁନ୍ତି ଉଲ୍ଲୁକ ପକ୍ଷୀ ପ୍ରାୟେ ଦଶଦିଶ ।

ମୂର୍ଖଠାରୁ ଅସୁରେ ଚଳନ୍ତି ତିନିଗୁଣ

ସଭାରେ ବସିଲେ ଏତେ ପାଞ୍ଚି ନାରାୟଣ ।

ମୁର ପୁତ୍ରଙ୍କୁ ବୋଇଲେ ପଢ଼ ଏବେ ବିଦ୍ୟା

ମନେ ଯାହା ପଢ଼ିବ ସେ ବିଦ୍ୟା ହେଉ ସିଦ୍ଧ ।

ଏତେ ବୋଲି ଲକ୍ଷ୍ୟପତ୍ର ସଧାଇଲେ ଆଗ

ଆବର ସାଧିଲେ ପୁଣି ଗଦା କୁନ୍ତ ଖଡ଼୍‌ଗ ।

ଫରିଖଣ୍ଡା ସାବେଳି ସାଧକ ମାଲବନ୍ଧ

ବାଡ଼ୋରି ଛକା ବାଉତା ଆଉ ପରିଲମ୍ବ ।

ପରିଲମ୍ବ ବୋଇଲେଣି ଦଣ୍ଡପକା ବିଦ୍ୟା

ଦଉଡ଼ି ଆସିପତ୍ର ସାଧନ୍ତି ସର୍ବଯୋଦ୍ଧା ।

ଶକତି ଶୂଳ ଭାଲି ଭୂଷଣ୍ଡ ଶର ଲେନ୍ତି

ପରିଘ ମୁଦୁଗର ଖପର ଛୁରୀ କାତି ।

ବାକେଡ଼ି ଯାବକାଢ଼ି ତୀର କମାଣ ଲାଠି

ନାରାଚ ବ୍ରହ୍ମଶର ଶ୍ରୀବିଷ୍ଣୁ ଶର କାଠି ।

ବରୁଣ ଯେ ମେଘାଶର କୁବେର ନୈଋତ

ପବନା ଯେ କାଳପାଶ ବୈଷ୍ଣବ ପର୍ବତ

ମୋହନା ଜଳପାଶି ଦହନା ଅଗ୍ନିଶର

ପୁଣି ନାରାୟଣ ଶସ୍ତ୍ର ଏକଘ୍ନୀ ଆବର ।

କୋଦାଳ ସୁଖଭେଦୀ ପାତାଳଭେଦୀ ଯନ୍ତ୍ର

ସ୍ତମ୍ଭନ ମୋହ ବଶ ଉଚ୍ଚାଟ ପାଶୁପାତ ।

ବେଲଙ୍ଗ ତ୍ରିକନା ଚଉକନା ବାରକନା

ବେତାଳ ମୁଗୁରା ଅଧାଚନ୍ଦ୍ର ଏକମୁନା ।

ଅକାଳ ଯେ ମହାକାଳ ତ୍ରିକାଳ ଭୈରବ

ଗରୁଡ଼ା ଏକଘନୀ ଏ ବ୍ରହ୍ମଶକ୍ତି ଧ୍ରୁବ ।

ଉଡ଼ାଣ ବୁଡ଼ାଣଟି ମାରଣ ପନ୍ଥା ମାର୍ଗ

ଯାବତ ଧାରଣ ସୂତ୍ର ସାଧନ୍ତି ନୃସିଂହ ।

କପାଳି ବିମୋଚନ ନମସ୍କାର ଶର ଆଦି

ଗନ୍ଧର୍ବ ଅସ୍ତ୍ରକୁ ଘେନି ବିଷ୍ଣୁ କଉମୁଦି ।

ତ୍ରିମୁଖା ଯେ ପଞ୍ଚସଖା ସପ୍ତମୁଖା ଶର

ଅନଙ୍ଗ ରୁଦ୍ର ଶକତି ମହାମାୟା ଯାର ।

ହତାଶ ବତାଶ ଶର ପୁଣି ଜଳପାଶ

ଏ ଆଦି ଶର ସୂତ୍ର ସାଧନ୍ତି ହୃଷୀକେଶ ।

ନୃସିଂହ ଚଞ୍ଚଳ ଚିତ୍ତ ଦଇତ୍ୟଙ୍କୁ ଦେଖି

ଖଣ୍ଡା ଝମକାନ୍ତେ ସର୍ବେ ବୁଜନ୍ତି ଯେ ଆଖି ।

ସଂସାରେ ଯେତେ ଅଛନ୍ତି ଶସ୍ତ୍ର ମହାଖଳା

ଦେଖାନ୍ତି ସବୁ ଆଣି କୃଷ୍ଣବଲ୍ଲଭ ବଳା ।

ମୁରର ସତରଲକ୍ଷ ତନୟ ପଢ଼ନ୍ତି

ଆବର ଯେ ନବଲକ୍ଷ ନାତି ପଢ଼ୁଛନ୍ତି ।

ମୃରାସୁର ରାଜାର ଯେ ପାଟ ମହାଦେଈ

ମଦନାବତୀ ବୋଲିଣ ତାର ନାମ କହି ।

କହିବା ମୁରପୁତ୍ର ନାମ ଥୋକେ ଶୁଣ

ମ ଅକ୍ଷରେ ନାମମାନ ଅଛନ୍ତି ବହିଣ

ପିତାମାତାଙ୍କର ସେହୁ ଅଦ୍ୟାକ୍ଷରେ ବହି

ଅଛନ୍ତି ସତରଲକ୍ଷ ଯାଏ ଜନ୍ମ ହୋଇ ।

ପୁତ୍ରଙ୍କ ଉପରେ ମହୀକର୍ଣ୍ଣ ଅଟେ ଶ୍ରେଷ୍ଠ

ତହିଁ ତଳେ ମିତ୍ରଲାଭ ଅଟଇ କନିଷ୍ଠ ।

କହିବା ଯେ ତିନି ଚାର ଦଶ କରି ତୁଲ

ଲେଖିଲେ ସତରଲକ୍ଷ ହୋଇବ ବହୁଳ ।

ଏଣୁକରି ଥୋକେ ନାମ କହୁଅଛି ଶୁଣ

ମହୀକର୍ଣ୍ଣ ମିତ୍ରଲାଭ ମୃତ୍ୟୁଙ୍କର ପୁଣ ।

ମହୀଧର ମହୀସୁର ମହାବଳବନ୍ତ

ମହୀଷଙ୍କ ମହାଲାଭ ମଙ୍କିତ ମହାନ୍ତ ।

ମିତ୍ରଶିରା ମହୀଶିରା ମଳା ମେରୁଯାଏ

ଏରୂପେ ଅଛନ୍ତି କେତେ ନାମ କହି ପୋଏ ।

ମୁରର ସତରଲକ୍ଷ ଯାଏ ଯେତେ ପୁତ୍ର

ସବୁଙ୍କର ମ ଅକ୍ଷର ଅଟେ ନାମ ଗୋତ୍ର ।

ଜଣ ଜଣଙ୍କ ଅଟନ୍ତି ପୋଏ ଏକ ଏକ

ଆଖଡ଼ା ଶାଳେ ସାଧନ୍ତି ଆସି ବିଦ୍ୟାଯାକ ।

ଅସୁରର ପୁତ୍ରଙ୍କର ସଙ୍ଗେ ରହି ପ୍ରଭୁ

ଅଗମ୍ୟ କ୍ଷତ୍ରିୟ ବିଦ୍ୟାଶିକ୍ଷା ଦ୍ୟନ୍ତି ସବୁ ।

ଯେବଣ ପ୍ରଭୁର ଗର୍ଭେ ଅଛି ବହୁ ବିଦ୍ୟା

ସେ ବିଦ୍ୟା ସାଧିବାକୁ କେ ଅଛି କ୍ଷତ୍ରୀ ଯୋଦ୍ଧା ।

କେ ମାଲ ବିନ୍ଧାଣ କେହୁ ସାଧେ ଚକାଦାଣ୍ଡ

ଗଗନୁ ଡ଼େଇଁ ପଡ଼ନ୍ତି କେହି ମହୀଖଣ୍ଡ ।

ଏହିରୂପେ ବିଷ୍ଣୁ ବିଦ୍ୟା ପଢ଼ାନ୍ତି ଦୈତ୍ୟଙ୍କୁ

ଆସନ୍ତି ଯେତେକ ଲୋକ ଶିକ୍ଷା ଦେଖିବାକୁ ।

ଦେଖିବ ଜନମାନେ ଯେ ହ୍ୱନ୍ତି ଆଚମ୍ବିତ

ବିଷ୍ଣୁର ଅପୂର୍ବ ବିଦ୍ୟା ଅଟେ ଅଲୋକିତ ।

ଜାରଣ ମାରଣ ବିଦ୍ୟା ପୁଣି ଉଦ୍ଧାରଣ

ସାଧନ୍ତି ଯାବତ ଯନ୍ତ୍ର ବିଦ୍ୟା ନାରାୟଣ ।

ଦେଖନ୍ତି ଦେଖଣାହାରୀ ଲୋକେ ଯେତେ ଯାଇ

କହନ୍ତି ରାଜା ଛାମୁରେ ଆସି ଶ୍ରଦ୍ଧା ବହି ।

ବୋଲନ୍ତି ଶୁଣ ହେ ପ୍ରବୁ ଦୈତ୍ୟକୁଳ ରାଜ

ଭଲ ସେ ପୁତ୍ରମାନଙ୍କୁ କହ ଗୁରୁ ଦ୍ୱିଜ ।

କେଡ଼େ ସୁପଣ୍ଡିତ ପୁଣି ସେହି ବେନିଭାଇ

ନୟନରେ ଦେଖି ହୁଏ ମୁଖେ ନୋହେ କହି ।

କେତେ କେତେ ବିଦ୍ୟା ସେ ଶ୍ରୀମୁଖୁ ବାହାରୁଛି

ତାହା ଦେଖିଣ ଆଶ୍ଚର୍ଯ୍ୟ ମନେ ଆମ୍ଭେ ପାଞ୍ଚି ।

ବ୍ରାହ୍ମଣ ବୋଲିଣ ତୁମ୍ଭେ ମଣିଛ ତାହାଙ୍କୁ

ଶ୍ରୀନାରାୟଣ ପ୍ରାୟ ସେ ଦିଶିଲେ ଆମ୍ଭଙ୍କୁ ।

ଧାଇଁଛୁ ଅପୂର୍ବ ମଣି ତାହା ସର୍ବେ ଆମ୍ଭେ

ଆମ୍ଭଙ୍କୁ ଦିଶନ୍ତି ସେ ପ୍ରତ୍ୟକ୍ଷେ ବାସୁଦେବେ ।

ବୁଝିଲେ ଅଟନ୍ତି ସେହୁ ଦୁହେଁ ହରିହର

କହିଣ ଅଛନ୍ତି କେତେ ମାର୍ଗେ ଅଗୋଚର ।

ଏ ରୂପେ ଲୋକଙ୍କ ମୁଖୁଁ ଶୁଣି ଦୈତ୍ୟରାୟେ

ହୃଦର କଥା ପାଞ୍ଚିଣ ମନେ ବଡ଼ ଭୟେ ।

ଭୟ କରୁ କରୁ ମନେ ହୋଇଲାକ ଦମ୍ଭ

ବୋଲେ ଧରି ଆସିଛି କି ସୈନ୍ୟ ବାସୁଦେବ ।

ବୁଝିଲେତ ବେନିଜନ ଅଟନ୍ତି ଯେ ସେହୁ

ବନ୍ଦୀତ ରହିଲେଣି କି କରିପାରେ ଆଉ ।

କ୍ଷତ୍ରୀ ହୋଇଣ ରହଇ ଯେବେ ବନ୍ଦି ପଡ଼ି

ବୈଦ୍ୟ ହୋଇଣ ଯେବେ ନ ପାରେ ଚିହ୍ନି ନାଡ଼ୀ।

ଭାରିଯା ହୋଇଣ ଯେବେ ନୁହେ ପୁତ୍ରବତୀ

ଭଲ ଦ୍ରବ୍ୟ ଭୁଞ୍ଜିଣ ଯେ କାଳ କରେ ବାନ୍ତି ।

ବିଦ୍ୟାବନ୍ତ ହୋଇ ଯେହୁ ଦୁଃଖେ ଦିନେ ହରେ

ପାକାସ୍ପର୍ଶ ସ୍ତିରୀଙ୍କଟି ରତି ଯେହୁ କରେ ।

ମନ୍ତ୍ରୀ ହୋଇ ରାଜାଙ୍କୁ ହୁଏ ଯେ ଅଲୋଡ଼ା

ଖଡ଼ି ହସ୍ତ ନ ଛୁଇଁ ଯେ ଧରେ ପାଞ୍ଜିବିଡ଼ା ।

ସେହୁ ଲୋକମାନଙ୍କୁଟି ବୋଲି ଅପାଣ୍ଡୁକ

ସଭାରେ ବସି ନକହେ ଯେହୁ ଭଲ ବାକ୍ୟ ।

କୁଳସ୍ତିରୀ ଥାଉଁ ଥାଉଁ ରତ ଯେ ବେଶ୍ୟାରେ

ନବୀନା ସ୍ତିରୀଙ୍କୁ ଯେହୁ ଛାଡ଼ି ପିତାଘରେ ।

ବ୍ରାହ୍ମଣ ହୋଇ ପଶୁନବୁଦ୍ଧି ଯେବେ ଧରେ

ସ୍ନାନ ସାରି ଯଏ ଦେବତା ଦର୍ଶନ ନ କରେ ।

ସଂସାର ଲୋକଙ୍କୁ ଯେହୁ ବୋଲେ ମୁହିଁ ଉଚ୍ଚ

ବୁଝିଲେ ତାହାଠାରୁ କେ ନାହିଁ ପରପଞ୍ଚ ।

ମହାନାୟକ ହୋଇ ଯେ ଲୋକ ନ ପାଳଇ

ସେହି ଲୋକ ବଡ଼ପଣ ଅଳ୍ପେ ନାଶ ଯାଇ ।

ଶ୍ଳୋକ ପଢ଼ି ପାଦେ ଯେ ନ ପାରେକରି ଅର୍ଥ

ତାହା ଜୀବନ ଗୋଟିକ ବୁଝିଲେ ବିଅର୍ଥ ।

ବିଷ୍ଣୁଙ୍କୁ ଆଣି ଗୃହରେ କରିଲଇଁ ବନ୍ଦୀ

ମୋଠାରୁ ବଳବନ୍ତାକେ ଅଛି ଆଉ ଯୋଧୀ ।

ହାତରେ ପଡ଼ିଲା ଦ୍ରବ୍ୟ ଛାଡ଼ିଦେବି ଯେବେ

ପଛନ୍ତେ ମରିବି ଝୁରି ଝୁରି ଅକର୍ତ୍ତବ୍ୟେ ।

ଏଥିର ବୁଦ୍ଦି ପାଞ୍ଚିଣ ବିଷ୍ଣୁଙ୍କୁ ମାରିବି

ବିଷ୍ଣୁ ମଲାରୁ ମୁହିଁ ଯେ ଅମର ହୋଇବି ।

ଲୋକଙ୍କ ମୁଖୁଁ ଶୁଣିଣ ଯେବେ ଛାଡ଼ିଦେବି

ଆଉ ବେଳେ ଲୋଡ଼ିଲେ ମୁଁ ଭେଟ କି ପାଇବି ।

ଏଥର ଛାଡ଼ିଦେବଇ ଯେବେ ଲୋକବାକ୍ୟେ

ଖୋଜିଲେ ନ ପାଇବି ଯେ ସଚରାଚରଯାକେ ।

ବୁଝିଲେ ହୃଦୟ ଦେହ ଅଟେ ମହାଶୂନ୍ୟ

ଏହାଙ୍କୁ ମାଇଲେ ମୋର ଉଦେ ହେବେ ଜ୍ଞାନ ।

ହରି ମଲେ ସଂସାରେ ମୁଁ ହେବି ଅଧିକାରୀ

ଯେଣୁ ସେ ହରି ମୋହର ଅଟଇ ବଇରୀ ।

ନ ମାରି ବୈରୀକି ଛାଡ଼ିଦେବି ଯେବେ ମୁହିଁ

ବୋଝଭାର ବହି ନିନ୍ଦା ଥୋଇବଇଁ କାହିଁ ।

ତଥାପି ମୁହିଁ ଯଦ୍ୟପି ମାରିବି ଏକ୍ଷଣି

ତହିଁ ଅପଖ୍ୟାତି କେତେ ଉପୁଜିବ ପୁଣି ।

ବୋଲିବେ ସଂସାରେ ରାଜା କେଡ଼େ ମନ୍ଦକଲା

ଗୁରୁ କରି ରଖି ବିପ୍ରପୁତ୍ରଙ୍କୁ ମାଇଲା ।

ଗୁରୁହତ୍ୟା ବ୍ରହ୍ମହତ୍ୟା କଲା ଦୁଇଦୋଷ

ଏ କଥାକୁ ଡରି ମିୁହଁ କରୁ ନାହିଁ ନାଶ ।

କାହାକୁ ଯେ ଜଣା ନୋହୁ ଗୁପ୍ତେ ମରାଇବି

ଲୋକ ଅପଖ୍ୟାତି କିପାଁ ଦେହକୁ ଆଣିବି ।

ଜାଣନ୍ତି ଯାବତ ପୁତ୍ରେ ମୋର କୂଟ ଛନ୍ଦ

ଆଖି ପିଛଡ଼ାକେ ମାରି ଆସିବେ ଗୋବିନ୍ଦ ।

ଆମ୍ଭର ମାରିବା କଥା କେହି ନ ଜାଣିବେ

ଇଚ୍ଛାରେ ସେ ମଲେବୋଲି ସମସ୍ତେ ବୋଲିବେ।

ଗୁପତେ ପୁତ୍ରଙ୍କୁ ମାର ବୋଲି ଜଣାଇବି

ଦେହକୁ ମୁଁ ଅପଖ୍ୟାତି କେବେ ନ ଆଣିବି ।

ତଥାପି ଡରି ପଳାଇ ଯିବେ ଅବା ବୋଲି

ଚାରିଲକ୍ଷ ପାହାରୀ ଯେ ନେଇ ଜଗାଇଲି ।

ଆଖଡ଼ାଶାଳକୁ ସେହି ବେଢ଼ଛନ୍ତି ଜଗି

ମାଛି ବାଟ ନ ପାଇ ପଳାନ୍ତି ତହୁଁ ଭାଙ୍ଗି ।

ସହସ୍ରେବ ମତ୍ତହସ୍ତୀ ଦ୍ୱାରେ ଅଛି ରଖି

ଆବର ଜଗିଅଛନ୍ତି ସୈନ୍ୟ ଯେତେ ପାଖି ।

ପାଚେରୀ କରିଛି ମୁହିଁ ସସ୍ରେ ଯୁଣ ଉଚ୍ଚ

ପବନ ନ ପାରେ ତହିଁ ଗଳି ପଶି ସଞ୍ଚ ।

ଏଥିର ମଧ୍ୟରେ ମୋର ବୈରୀ ଅଛି ଭରି

କାଳେ ତାଙ୍କୁ ମରାଇବ ପୁତ୍ରେ କହିକରି ।

ଆଜ୍ଞାକୁ ମୋହର ପୁତ୍ରେ ଛନ୍ତି ପୁଣି ଚାହିଁ

ମାର ବୋଇଲେ ଶତ୍ରୁକୁ ମାରିଦେବେ ଦହି ।

ତହୁଁ ଉବୁରି ରହିବେ ଯେବେ ଭାଇ ବେନି

ପେଷିବି ସେନାପତିଙ୍କ ହାତେ ସଂଞ୍ଜିବନୀ ।

କଣ୍ଠ ବିକଣ୍ଠ ମୋହର ଅଛନ୍ତି ଯେ ସେନା

କ୍ଷଣକେ ପାରନ୍ତି କରି ତିନିପୁର ଚୂନା ।

ଆବର ଅଛି ଦାରୁଣ ନାମେ ହୋଇ ଭାଇ

କ୍ଷଣକେ ପାଞ୍ଚଶକୋଶ ପୃଥ୍ୱୀପାରେ ଦହି ।

ମୋର ଯେତେ ମହିମା ତା ବିଧାତାଙ୍କୁ ଜଣା

ଚଉଦପୁରେ ଯାକେ ମୁଁ ଅଟେ ନୃପରଣା ।

ବାସବ ଦେବତାଙ୍କୁ ମୁଁ ରଖିଥିଲି ବନ୍ଦୀ

ମୋ ଘରେ ରହିଥିଲା ଶାଙ୍କୋଳି ଗୋଡ଼େ ପିନ୍ଧି।

ଦଶଗଦିଗପାଳ ମୋର ବୋଲେ ଥାନ୍ତି ଖଟି

ଯାହାବୋଲ ସେ କରନ୍ତି ନିତ୍ୟେ ତାହାଭେଟି ।

ତେତିଶକୋଟି ଦେବଙ୍କ କନ୍ୟା ବିଭା ହେଲି

ଶୁଦ୍ଧ ସ୍ନାନ ସ୍ତିରୀ ମୁହିଁ ନିତ୍ୟେ ଭୋଗ କଲି ।

ବୈକୁଣ୍ଠପୁରେ ବିଷ୍ଣୁର ଯେତେ ଭୋଗ ହୁଏ

ସେହି ସଦୃଶ ଭୋଗ ମୁଁ କରେ ସର୍ବଦାଏ ।

ନିତ୍ୟସ୍ଥଳେ ରାସକ୍ରୀଡ଼ା କରେ ଯେହ୍ନେ ହରି

ସେହିରୂପେ ସ୍ତିରୀବୃନ୍ଦ ଅଛନ୍ତି ମୋ ପୁରୀ ।

ଯମର କାଳଦଣ୍ଡ ନ ପଶେ ମୋର ଘରେ

ଧନ୍ୱନ୍ତରୀ ବନ୍ଧା ହୋଇଅଛନ୍ତି ମୋର ପୁରେ ।

ଏଣୁକରି ନଗ୍ରେ ମୋର ରୋଗ ବିବର୍ଜିତ

ନବଗ୍ରହ ମୋ ସେବାରେ ଛନ୍ତି ଅନୁବ୍ରତ ।

ବଇକୁଣ୍ଠ ପ୍ରଭୁ ସିନା ଅଟେ ଜଗନ୍ନାଥ

ମଞ୍ଚପୁରେ ପ୍ରଭୁ ସିନା ଅଟେ ନରନାଥ ।

ଏଣୁକରି ଶ୍ରୀହରିଙ୍କି ସଦା ଥାଇ ଅଡ଼ି

ସେ ହରି ଗଲାଣି ମୋର ଘରେ ବନ୍ଦୀ ପଡ଼ି ।

ବନ୍ଦୀଥିଲା ଲୋକର କି ଅଛି ଆଉ ବଳ

ମନହେଲା ଦିନ ପେଷି ଦେବି ଯମଆଳ ।

ଏରୂପେ ମନରେ ଯାହା ପାଞ୍ଚିଅଛି ମୁହିଁ

ମୋତେ ସେ ପାରିବେ କି ନୃସିଂହ ବେନିଭାଇ ।

ନୃସିଂହ ମଲେ କୃଷ୍ଣବଲ୍ଲଭ କି କରିବ

ଅପୁତ୍ରିକ ହୋଇ ମୋତେ ସେବା କରୁଥିବ ।

ମୋତେ କହିବାକୁ କି ସେ ହେବ ଆଉମୁଣ୍ଡ

କ୍ଷଣକରେ ପୋଡ଼ିଦେବି ବଦରିକା ଖଣ୍ଡ ।

ଧର୍ମକୁ ଚାହିଁଣ ମାତ୍ର ରହିଅଛି ମୁହିଁ

ଶତ୍ରୁ ମଲେ ଭୟ କିସ ଥିବ ଆଉ ତହିଁ ।

ଗୃହସ୍ଥ ମରିଲେ ସ୍ତିରୀ ପୁତ୍ରେ କିସ କାର୍ଯ୍ୟ

ରୋଗ କ୍ଷୟଗଲେ ଦେବ ଯେରୂପେ ଐଶ୍ୱର୍ଯ୍ୟ ।

ଶତ୍ରୁକ୍ଷୟ ଗଲେ ଆଉ କାହାକୁ ଯେ ଭୟେ

ଅଧଇର୍ଯ୍ୟ ଲୋକ ସିନା ଡରି ମରୁଥାଏ ।

ଧନହୀନ ଲୋକମାନେ ମହାର୍ଘ୍ୟ ପଡ଼ିଲେ

ମରନ୍ତି କାଉଳିହୋଇ ଖାଦ୍ୟ ନ ମିଳିଲେ ।

କୂଟ ନଥିବା ଶରୀର ସୂର୍ଯ୍ୟପରି ଦିଶେ

ପଙ୍କ ନଥିବା ସଲୀଳ ନିର୍ମଳ ପ୍ରକାଶେ ।

ନୀରଦ ବିନାଶ ହେଲେ ଚନ୍ଦ୍ର ଯେହ୍ନେ ଦିଶି

ମୁହିଁ ସେହିରୂପେ ଜାଣ ବୈରୀ ଯିବି ନାଶି ।

ପରମ ସୁଖରେ ରହି ଭୁଞ୍ଜିବଇଁ ଭୋଗ

ରହିଲା ଏ ରୂପେ ମନେ ପାଞ୍ଚି ତେଜିରାଗ ।

କାହାକୁ କଥା ଫେଡ଼ି ନ କହେ ଦୈତ୍ୟରାୟେ

ସ୍ନାନ ସାରି ସନ୍ଧ୍ୟା ତରପଣ କରିଯାଏ ।

ଈଶ୍ୱରଙ୍କୁ ପୂଜା ସାରି ମଣୋହିକି ଗଲା ।

ଆଚମନ ସାରି ପୁଣ ଗୁବାକ ଭୁଞ୍ଜିଲା ।

ରତନ କଠାଉ ମାଡ଼ି ସଭାକୁ ଆସଇ ।

ଚାମର ଆଲଟ ପଛୁଁ ସହଜେ ପଡ଼ଇ ।

ସୁବର୍ଣ୍ଣ ପୀଢ଼ାରେ ବସିଲେକ ଦୈତ୍ୟରାୟେ ।

ମଣିମା ମଣିମା ଡାକ ଦ୍ୟନ୍ତି ଖୁଣ୍ଟିଆଏ ।

ଆବର ପାତ୍ରମନ୍ତ୍ରୀ ଯେ ସେନାପତିଗଣେ।

ଆସ୍ଥାନ ତଳେ ବସିଲେ ଆସି ବେହରଣେ ।

ଯାବତ ଦିଗର ବାର୍ତ୍ତା ତହୁଁ ଚାରଗଣେ ।

ଅଷ୍ଟ ଅବଧାନୀ ତାହା ବୁଝନ୍ତି ତକ୍ଷଣେ ।

ସବୁରି ମୁଖରୁ ବାର୍ତ୍ତା ଶୁଣେ ରାଜା ବସି ।

ନୃସିଂହ ପ୍ରଭୁଙ୍କ କଥା ଭଳେ ଅହର୍ନିଶି ।

କୁଟୁଣୀ କାଷ୍ଠ ପରାୟେ ହୁଏ ଛନ୍ନ ଛନ୍ନ ।

କୁରାଳଚକ୍ର ଜାଣିଣ ଭ୍ରମେ ତାର ମନ ।

କାହାକୁ ନକହି ବସି କରେ ହୃଦେ ଚିନ୍ତା ।

ଅଶୀଳ ଦଇତ ଏକା ଜାଣେ ଦୈତ୍ୟ କଥା ।

ନିତ୍ୟ ବିଦ୍ୟା ପଢି ରାଜତନୟେ ଆସନ୍ତି ।

ଦଇତ୍ୟର କୂଟବୁଦ୍ଧି ଦେବତା ଜାଣନ୍ତି ।

ଅନ୍ତର୍ଯ୍ୟାମୀ ନାଥ ପୁଣ ଥାଇ ସର୍ବ ଦେହେ ।

ବିକାଶଇ ଝଟ ଝଟ ସୂର୍ଯ୍ୟଜ୍ୟୋତି ପ୍ରାୟେ ।

ଯେ ଯାହା ପାଞ୍ଚେ ମନରେ ସକଳ ଜାଣନ୍ତି ।

ଭଲକୁ ଭଲ କରନ୍ତି ମନ୍ଦକୁ ଦଣ୍ଡନ୍ତି ।

ତେଣୁ ନାରାୟଣ ନାମ ଅନ୍ତର୍ଯ୍ୟାମୀ ଜାଣ ।

ଏଥୁ ଉତ୍ତାରେ ନାରଦ ଅନ୍ୟ ବାଣୀ ଶୁଣ ।

ନୃସିଂହଙ୍କ ବଧ ନିମିତ୍ତ ମନ୍ତ୍ରୀ ଓ ପୁତ୍ରଙ୍କ ସହିତ ମୁରର ପରାମର୍ଶ

ଏମନ୍ତେ ବେନି ବରଷ ଭୋଗ ହୋଇଯାନ୍ତେ ।

ଅଶୀଳକୁ ଡାକିଣ ଯେ ପୁଚ୍ଛେ ମୁର ଦୈତ୍ୟେ ।

ବୋଇଲାକ ବାପ ଆରେ ସବୁ ଜାଣୁ ତୁହି ।

ବିଶ୍ୱାସ କଥାମାନ ତ କହେ ତୋତେ ମୁହିଁ ।

ବଲ୍ଲଭ ପୁତ୍ରଙ୍କୁ ତୁ ଯେ ଦେଲୁ ମୋତେ ଆଣି ।

ମାରିବା ଗୁପତେ ବୋଲି ସବୁ ଅଛୁ ଜାଣି ।

ହେଲେଣି ବାରବରଷ ଆସ ବେନିବାଳେ।

କିରୂପେ ପେଷିବା କହ ଏବେ ଯମଆଳେ ।

ଏହା ଶୁଣି ଅଶୀଳ ଯେ ଯୋଡ଼ି ବେନିକର ।

ବୋଇଲା ତିନିପୁରେ ତୁ ଅଟୁ ନୃପବର ।

ଏ ଛାର କଥାକୁ କିପାଁ ଚିନ୍ତା କରୁ ଏତେ ।

ଅନନ୍ତ କୋଟି ଯୋଦ୍ଧାଏ ସେବିଛନ୍ତି ତୋତେ ।

ତାହାକୁ ସମାନ କି ସେ ହେବେ ବେନିଭାଇ

ଜଣ ଜଣକେ ସମୁଦ୍ର ପାରୁ ଆମ୍ଭେ ପିଇ ।

ନୋହିଲେ ମୋତେ ଆଜ୍ଞା ତୁ ଦେବୁ ଆଗ ଯେବେ ।

ସମୟ ବୁଝିଣ ତାକୁ ମାରିବଇ ତେବେ ।

ନୋହିଲେ ଅଛନ୍ତି ଯେଉଁ ସସ୍ରେ ମତ୍ତହସ୍ତୀ ।

ତାଙ୍କ ଦନ୍ତେ ଚିରାଇ ମୁଁ ଦେବି ଆଜ ରାତି ।

ଆବର ପାହାରିଗଣ ଛନ୍ତି ଯେତେ ଜଗି ।

ତାହାଙ୍କୁ ବୋଇଲେ ମାରିପକାନ୍ତି ନିଯୋଗି ।

ନୋହିଲେ ସତର ଲକ୍ଷ ପୁତ୍ର ତୋ ଅଛନ୍ତି ।

ତାହାଙ୍କୁ ଗୁପତେ କହି ମରାଅ ଝଟତି ।

ଏହା ଶୁଣି ବଡ଼ ଶ୍ରଦ୍ଧା କଲା ଦୈତ୍ୟରାଜା

ଅଶୀଳ ଦଇତକୁ ସଲେ କଲା ବହୁ ପୂଜା ।

ବୋଇଲା ଅଶୀଳ ଆରେ ପୁତ୍ରଙ୍କୁ ମୋ ଆଣ।

କହିବା ଗୁପତେ କରି ପାର୍ଶ୍ୱେ ବସାଇଣ ।

ଶୁଣିଣ ଅଶୀଳ ଦୈତ୍ୟ ଗଲା ଶୀଘ୍ର ଧାଇଁ

କହିଲା ପୁତ୍ରଙ୍କୁ ଆଗେ ପିତା ଆଜ୍ଞା ଯାଇ ।

ବୋଇଲା ରାଜାଙ୍କ ଆଜ୍ଞା ହେଲା ଆସ ବାବୁ

ଶ୍ରୀଛାମୁରେ ଭେଟ ଆଜ ହୁଅ ପୁତ୍ର ସବୁ ।

ତହିଁ ଉତ୍ତାରୁ ଆସିବ ପଛେ ବିଦ୍ୟା ପଢ଼ି

ଡାକିବା ପାଇଁ ଦେଇଛି ମୋତେ ରାଜା ଶାଢ଼ୀ ।

ଶୁଣିକରି ପୁତ୍ରମାନେ ଉଠି ଚଳିଗଲେ

ନୃସିଂହ ଛାମୁରେ ଶୀଘ୍ର ଯାଇଣ ମିଳିଲେ ।

ବୋଇଲେ ସ୍ୱାମୀ ଯାଉଛୁ ଆମ୍ଭେ ସର୍ବକାଳେ

ଆସିବୁ ପିତାଙ୍କ ଆଜ୍ଞା ଶୁଣି ତତକାଳେ ।

ଶୁଣିକରି ହେଉ ବୋଲି କହି ଆଦିମୂଳ

ବୋଇଲେ ମେଣ୍ଟିଲେ ରାଜା ଆଜ୍ଞା ଘଟେ କାଳ।

ସୁଦର୍ଶନ ଚକ୍ର ଯେହ୍ନେ ବିଷ୍ଣୁ ବଚନକୁ

ସେହିରୂପେ ରାଜା ଆଜ୍ଞା ଅଟେ ସଂସାରକୁ ।

ପିତା ଯେବେ ଡାକିଛନ୍ତି ଯାଅ ଚଳି ବେଗେ

ଯାହା ସେ ବୋଲିବେ ତାହା କର ସେହିଲାଗେ।

ଶୁଣି ଦଇତ୍ୟ କୁମରେ ଗଲେ ଆଜ୍ଞା ପାଇ

ପିତାଙ୍କ ଦର୍ଶନ ପୋଏ କଲେ ବେଗେ ଯାଇ ।

କଲ୍ୟାଣ କରିଣ ରାଜା ବୋଲେ ଆଗ ବସ

କହୁଛି ବିଶ୍ୱାସେ ଶୁଣ ସେହି କଥା ରସ ।

ଯେବଣ କାଳରେ ମୁହିଁ ଗଲି କଇଳାସେ

ମହାଦେବ ବର ମୋତେଦେଲେ ମନତୋଷେ ।

ଯେତେ ମୁଁ ମାଗିଲି ବର ମନ ବାଞ୍ଛା କରି

ସେହିକଥା ସିଦ୍ଧିକରି ଦେଲେ ତ୍ରିପୁରାରି ।

ଆବର କହିଲେ କଥା ଏକ ମୃତ୍ୟୁ ଭେଦ

ବୋଇଲେ ବିଷ୍ଣୁର ତୁଲେ ନ କରିବୁ ବାଦ ।

ବାଦ ଲାଗିଲେ ପାରିବୁ ଯେବେ ଏକା ମାରି

ତେବେ ତୁ ପ୍ରଳୟଯାଏ ଥିବୁ ଦେହ ଧରି ।

ହରମୁଖୁ ଶୁଣିଲି ମୁଁ ଏହା ଯେତେବେଳୁ

ଖୋଜୁଥିଲଇଁ ବିଷ୍ଣୁଙ୍କୁ ଜାଣ ସେହିକାଳୁ ।

ଖୋଜନ୍ତେ ଏଗାର ଗଣ୍ଡା ଯୁଗ ଭୋଗ ଗଲା

ତେବେହେଁ ବିଷ୍ଣୁଙ୍କୁ କେବେ ନ ଦେଖିଲି ଭଲା ।

ଲେଉଟିଣ କେତେଦିନ ଦିଗବିଜେ କଲି

ସପତଦ୍ୱୀପକୁ ବୁଲି ଶାକଲ୍ୟକୁ ଗଲି ।

ବ୍ରାହ୍ମଣ ଗୃହରେ ଏହି ବିଷ୍ଣୁ ଜନ୍ମ ହେଲା

ଅନନ୍ତ ପଢ଼ିହାରୀ ଯେ ବୋଲି ନାମ ଦେଲା ।

ଏହି କଥାଗୋଟି ଜାଣ ପୂର୍ବେ ହୋଇଥିଲା

ଚାରିଯୁଗ ଏହିପରି କ୍ରମେ ବହିଗଲା ।

ଅନନ୍ତ ପଢ଼ିହାରୀ ନଥିଲେ ଚାରିଯୁଗେ

ଗୋଟିଏ ଲୋକ ରହି ନଥାନ୍ତେ ତିନିସ୍ୱର୍ଗେ ।

ଶାକଲ୍ୟ ଦ୍ୱୀପେ ପଶି ମୁଁ ଗଲି ନଗ୍ର ଫେରି ।

ଦେଖିଲି ପଲ୍ୟଙ୍କରେ ଅନନ୍ତ ପଢ଼ିହାରୀ ।

ଆମ୍ଭଙ୍କୁ ଦେଖିଲେ ଯହୁଁ ନଗରବାସୀଏ ।

ଅନ୍ୟ ଗ୍ରାମରେ ଲୁଚିଣ ରହିଲେ ସଭିଏଁ ।

ଏକା ବାଇ ମିଶ୍ରଙ୍କର ଭାର୍ଯ୍ୟା ସୁଲକ୍ଷଣା

ପୁତ୍ରକୁ ଘରେ ଛାଡ଼ି ଯେ ଗଲା ହୋଇ ବଣା ।

ଏମନ୍ତବେଲେ ପଶିଲୁ ଘରେ ଆମ୍ଭେ ଯାଇଁ ।

ଦେଖିଲୁ ବାଳକରୂପେ ବିଷ୍ଣୁ ଅଛି ଶୋଇ ।

ମନରେ ପାଞ୍ଚିଲୁ ଏହୁ ଯେବେ ବିଷ୍ଣୁ ହେବ

ଘରକୁ ନେଲେ ଖାଇବି ପୋଡ଼ି ଏହାଶବ ।

ଖାଇଲେ ବିଷ୍ଣୁର ମାଂସ ଅମର ହୋଇବି ।

ମଥାରେ ବହିଣ ମୋର ଗୃହେ ଘେନିଯିବି

ବିଷ୍ଣୁର ମାଂସ ଭକ୍ଷିଲେ ଧରିବି ତା ରୂପ

ବଇକୁ‌ଣ୍ଠେ ବିଷ୍ଣୁ ପ୍ରାୟ ଥିବ କୋଟି କଳ୍ପ ।

ବିଷ୍ଣୁ ମଲେ ପୃଥିବୀରେ ମୁହିଁ ବିଷ୍ଣୁ ହେବି

ଏହି ବଡ଼ପଣ ମୋର ଇଚ୍ଛାରେ ପାଇବି ।

ପୁଣି ପାଞ୍ଚିଲଇଁ ହରି ଶିଶୁ ସିନା ଅଟେ

ଘରକୁ ଆପେ ବହିଣ ନେବି ରତ୍ନଖଟେ ।

ମଦନାବତୀ କୋଳରେ ଦେବି ପୁତ୍ର ନେଇ

ପୁତ୍ର କରିଣ ପୋଷିବ ମନେ ଶ୍ରଦ୍ଧା ବହି ।

ସେ ହୋଇବ ମାତା ମୁହିଁ ପିତା ଯେ ହୋଇବି

ଅନନ୍ତ ପଢ଼ିହାରୀ ବୋଲି ଡାକୁଥିବି ।

ଏ ନାମ ଚାରିଯୁଗରେ ବହିଥିବ ହରି

ତେଣୁକରି ମୋର ଏହି ନୋହିବ ବଇରୀ ।

କେଡ଼େ ସଉନ୍ଦର୍ଯ୍ୟ ରୂପ ଅଟେ ବାଳବତ୍ସି

ପୋଷିଲେ ବାଳକ ଦିନ ନ ଜାଣିବ କିଛି

ଆମ୍ଭଙ୍କୁ ଏ ପିତା ମାତା ବୋଲି ମଣିଥିବ ।

କେତେବେଳେ ମୋର ସଙ୍ଗେ ବିବାଦ ନୋହିବ।

ଏ ରୂପେ ଅଜଣା ହୋଇ ସୁଖେ କାଳ ନେବୁ

ପ୍ରଳୟ କାଳ ପର୍ଯ୍ୟନ୍ତ ଅମର ହୋଇବୁ ।

ଏରୂପେ ମନେ ପାଞ୍ଚିଣ ମଥାରେ ବହିଲି

ଘରେ ରଖିବି ବୋଲିଣ ବହି ଆଣୁଥିଲି ।

ମେରୁଠାରୁ ଶତେଗୁଣ ମୁଣ୍ଡେ ହେଲା ଗୁରୁ

ପାଞ୍ଚିଲଇଁ ଏହିଠାରେ ପକାଇବି ମରୁ ।

ଏରୂପେ ବୋଲିଣ ଶୂନ୍ୟୁ ଛେଚିଲି ଶିଳାରେ

ନ ମରି ଭୂମିରେ ପଡ଼ି ବସିଲା ଆଣ୍ଠୁରେ ।

ପୁଣି ଉଠି ଧାଇଁ ଯାଏ ଅତି ଖରତରେ ।

ଏହା ଦେଖି ଜାଲ ନେଇ ପାତିଲି ତା ପରେ ।

ପୁଣି ଜାଲରୁ ଖସିଣ ବସେ ଖଣ୍ଡେ ଦୂରେ

ଦେଖୁ ଦେଖୁ ବେଗେ ଯାଇଁ ପଶିଲା କା ଘରେ।

ଧରା ନ ଦେଇ ରହିଲା ନଗ୍ରେ ଯାଇଁ ଲୁଚି

କେବେହେଁ ଧରା ଆଉ ନଦେଲା ସେ ଶ୍ରୀବତ୍ସି ।

ତହୁଁ ସର୍ବେ ରହିଲୁ ଯେ ନଗରକୁ ବେଢ଼ି

ଖୋଜା ଖୋଜି ନପାବନ୍ତେ ନଗ୍ରଦେଲୁ ପୋଡ଼ି ।

ପୋଡ଼ି ପକାନ୍ତେ ନବର ଧୂମାନ୍ତ ହୋଇଲା

ଅନନ୍ତ ପଢ଼ିହାରୀ କି ନ ଦେଖିଲୁ ଭଲା ।

ସେଠାରୁ ମୁଁ ଜାଣିଥିଲି ବିଷ୍ଣୁ ମଲା ବୋଲି

ଏବେ ଜନ୍ମ ହେଲା ପୁଣି ବଦରିକା ପଲ୍ଲୀ ।

ନାରଦ ଗୋସାଇଁ ଆସି ବିଶ୍ୱାସରେ ମୋତେ

କହିଲେ ବିଷ୍ଣୁ ଜନ୍ମିଲେ ବୋଲି ବସିଗୁପ୍ତେ ।

ବ୍ରାହ୍ମଣ କୃଷ୍ଣବଲ୍ଲଭ ଘରେ ଏବେ ଆସି

ଭଗବତୀ ମାତାଗର୍ଭେ ଜନ୍ମ ବେନି ଶିଷି ।

ବ୍ରହ୍ମାଙ୍କର ପୁରେ ଯାଇଁ ବିଦ୍ୟା ସେ ପଢ଼ିଲେ

ଧନୁଶର ଶସ୍ତ୍ରମାନ ଅନେକ ଶିଖିଲେ ।

ମୋତେ ସେ ମାରିବବୋଲି ପାଞ୍ଚୁଛନ୍ତି ମନେ

ସେ କଥା ଶୁଣି ତରସ୍ତ ହେଲି ସବୁଦିନେ ।

ତୁମ୍ଭମାନଙ୍କୁ ବିଦ୍ୟା ସେ ପଢ଼ାଇବେ ବୋଲି

ଗୁରୁ ନିଷ୍ଠାକରି ତାଙ୍କୁ ଡକାଇ ଆଣିଲି ।

ଉପ୍ରୋଧରେ ନ ମାଇଲି ନିନ୍ଦାଭୟ କରି

ଏମନ୍ତେ ଯେ ବେନିବର୍ଷ ଗଲା ଏବେ ପୁରି ।

ଠକାରେ ଆଣିଲି ମାତ୍ର ଗୁରୁ ବୋଲି ଡାକି

ସାଧନ ବଳରେ ତାଙ୍କୁ ମାରି ପାରିବା କି ।

ଦିନ ମୋର ସରୁ ନାହିଁ ବେଳ ବେଳ ବୁଡୁ ନାହିଁ

ଚିନ୍ତାରେ ତନୁ ମୋହର ଗଲା କ୍ଷୀଣ ହୋଇ ।

ଏହି ନୃସିଂହ ବଇରୀ ମୋର ପୁଣି ଅଟେ

ବ୍ରାହ୍ମଣର ଘରେ ଆସି ଜନ୍ମିଛି କପଟେ ।

ହରି କୂଟ ବୁଝି କୂଟେ ଅଇଲଇଁ ଘେନି

ବେନି ବରଷ ହୋଇଲା ଘରେ ଆଣିଲିଣି ।

ମନେ ପାଞ୍ଚୁ ପାଞ୍ଚୁ ଘରେ ବଢ଼ୁଛନ୍ତି ଶତ୍ରୁ

ଏଥର ତ ନମାଇଲେ ପଳାଇବେ ରାତ୍ରୁ ।

ଏ କଥାକୁ ବୁଝି ବାପ ସୁବିଚାର କର

ବଇରୀ ମଲେ ମୁହିଁ ଯେ ହୋଇବି ଅମର ।

ତୁମ୍ଭେମାନେ ମହାବଳୀ ଅଟ ସର୍ବ ପୋଏ

କୂଟେ ମାରିଣ ପକାଅ ବେଗେ ଦେବରାୟେ ।

ପୁତ୍ରେ ବୋଇଲେ ହେ ତାତ ଶୁଣ ନୃପମଣି

ଏତେକଥା ଆମ୍ଭେମାନେ ପୂର୍ବୁଁ ନାହୁଁ ଜାଣି ।

ତୁମ୍ଭଙ୍କୁ ଏଡ଼େ ଶତ୍ରୁ ସେ ଯେବେ ହୋଇଛନ୍ତି

ଏତେଦିନ ଯାଏ କିପାଁ ରହିଲ ନିବର୍ତ୍ତି ।

ଆମ୍ଭଙ୍କୁ ଶୁଣାଇଥାନ୍ତୁ ଅଳ୍ପ ଏହା ଯେବେ

ଆଜିଯାଏ ରଖିଥାନ୍ତୁ କିପାଁ ବସୁଦେବେ।

ବ୍ୟାଧି ଶେଷ ଋଣଶେଷ ଶତ୍ରୁ ଶେଷ ପୁଣି

ରଖିଲେ କାଳାନ୍ତେ ଏହି ବଢ଼େ ପ୍ରଳେଜାଣି ।

କି ବୋଲିଣ ଏଡ଼େ ଶତ୍ରୁ ରଖିଥିଲେ ଘରେ

ଗୁରୁ ବୋଲି ଖ୍ୟାତ କଲ ବ୍ରହ୍ମାଣ୍ଡ ଯାକରେ ।

ସମସ୍ତେ ଯାଇ ମାଇଲେ ଏବେ ହେବ ନିନ୍ଦା

ନ ମାଇଲେ ପ୍ରାଣପରେ ପଡ଼େ ଆସି ଧନ୍ଦା ।

ଆଣିଲାଦିନୁ ସଂହାରି ନ ପାରିଲ ରାୟେ

କଳଙ୍କ ନ ଛଡ଼ାଇଣ ରଖ ଆଜିଯାଏ ।

ସେହିଦିନୁ କହିଥିଲେ ଦେଇଥାନ୍ତୁ ମାରି

ପିଟନ୍ତୁ ଆଖଡ଼ା ଶାଳେ ସର୍ବେ ବେଢ଼ି କରି

ଏତେ କହି ରାଜପୁତ୍ରେ ହୋଇଣ ପ୍ରଚଣ୍ଡ

ବୋଇଲେକ ଦେଖ କାଲି ତୋର ଶତ୍ରୁମୁଣ୍ଡ ।

ମାତାଶତ୍ରୁ ପିତାଶତ୍ରୁ ରଖି ନ ଯୋଗାଇ

ଜାଣୁ ଜାଣୁ ରଖିଲେତ ଧର୍ମ ନାଶ ଯାଇ ।

ସେହି ଯେବେ ତୋହଠାରେ ପାପଛନ୍ତି ଚିନ୍ତି

ଆମ୍ଭେମାନେ ମାରିବାରେ ଅଟେ ଧର୍ମଗତି ।

ତଥାପି ପଡ଼ିଲେ ଦେଲେ ଆସି ଘାଟିକଥା

ନିଶ୍ଚେହେଁ ମାରିବ ଗୋରୁ ବ୍ରାହ୍ମଣ ଦେବତା ।

ଆମ୍ଭର ପିତାର ଶତ୍ରୁ ଅଟେ ଦେବ ହରି

ପୂରିଲା ତାଙ୍କର କାଳ ଶୁଣ ଦଣ୍ଡଧାରୀ ।

କାଲି ରାତ୍ର ଅର୍ଦ୍ଧୁ ଆମ୍ଭେ ଯିବୁ ସର୍ବେ ଧାଇଁ

ନିଶ୍ଚିନ୍ତରେ ଶୋଇଥିବେ ଖଟେ ବେନିଭାଇ ।

ଶୂନ୍ୟହସ୍ତ ହୋଇଣ ଘୁଙ୍ଗୁଡ଼ି ମାରୁଥିବେ ।

ଏମନ୍ତ ବେଳେ ମାରିବୁ ଯଇଁ ଆମ୍ଭେ ସର୍ବେ ।

ଗଦାଘାତେ ପିଟି କରିଦେବୁ ମଶିଗୁଣ୍ଡ ।

ଉଡ଼ିବେ ଛତ୍ର ପରାୟେ ଦେଖିବୁ ସେ ପିଣ୍ଡ ।

ଖଡ଼ଗ ଭୂଷଣ୍ଡି ଗଦା ଆଉ ଅସିପତ୍ରେ

ପିଟିବୁ ଏକାବେଳେକେ ଟେକି ତାଙ୍କ ଗାତ୍ରେ ।

ମାଉଁସ ପଞ୍ଜରା ଅସ୍ଥି ପକାଇବୁ ଧ୍ୱଂସି

ଏ ଛାର କଥାକୁ ଭାଳ ବସି ଅହର୍ନିଶି ।

ତୁମ ମଧ୍ୟ ଅଶୀଳ ଯାଇଥିବ ଆମ୍ଭ ସଙ୍ଗେ

ମଲେ ସେ ଶତ୍ରୁ କହିବୁ ଆସି ରାଜା ଆଗେ

ଅଶୀଳ ବୋଇଲା ଏହା ଲୋଡ଼ିଲେ ନ ମିଳେ

ନକଲେ ମୁଁ ରାଜକାର୍ଯ୍ୟ ପଶିବି ଅନଳେ ।

କାଲି ରଜନୀ ଅର୍ଦ୍ଧରୁ ହେବ ସର୍ବେ ସଜ

ଗୁପତେ ଲୁଚି ମାରିବା ଯାଇଁ ଦେବରାଜ ।

ଖବର ପାଇଲେ ଲୁଚିଯିବେ ବେନିଭାଇ

ପୁଣି ମାରିବାକୁ ଆମ୍ଭେ କେତେ ଥିବା ଧାଇଁ ।

ଏରୂପେ ଦାଣ୍ଡରେ ହଟା କାହିଁକି କରିବା

ମନକଥା ମନେ ଥାଉ କାଲି ସଂହାରିବା ।

ଏରୂପେ ବାଳକମାନେ କରନ୍ତେ ବିଚାର

ଶୁଣିଣ ମନରେ ଶ୍ରଦ୍ଧା କଲା ମୃରାସୁର

ହରିଙ୍କି ମାରିବାକୁ ସେ ମନେ ବିଚାରିଲେ

ଶୟନ କରିବାକୁ ଯେ ଯାହା ପୁରେ ଗଲେ ।

ନିଶ୍ଚିନ୍ତରେ ମହାସୁଖେ ଖଟେ ପହୁଡ଼ିଲେ

ସେଠାରୁ ମାୟା ପୁରୁଷ ତାଙ୍କୁ ଭୁଲାଇଲେ ।

ସେ ମାୟା ପୁରୁଷ କଥା ଶୁଣ ଆରେ ବାବା

ସେ ଯେପରି ଯେଉଁଠାରେ ଥାଏ ତା କହିବା ।

ମହାଜନ ଘରେ ଥାଏ କଉଡ଼ି ରୂପରେ

ଭୁଲାଇ ପକାଏ ପ୍ରାଣୀ ସଦା ଲାଳସାରେ ।

ନାରାଚ ରୂପରେ ଥାଇ କ୍ଷତ୍ରୀୟଙ୍କ ଘରେ

ପେଷନ୍ତେ ପ୍ରାଣୀକି ନାଶେ ଯାଇ ସେ ଧନୁରେ।

ରାଜାଙ୍କର ଘରେ ଥାଏ ହୋଇ ପାଟରାଣୀ

ସେ ମାୟା ଦାଢ଼ୁ ବଞ୍ଚି କେ ନାହିଁ ନୃପମଣି ।

ଚୌଷଠି ରୋଗ ରୂପରେ ମାୟା ଦେହେଥାଇ

କ୍ଷଣକରେ ମନ କଲେ ପ୍ରାଣୀଙ୍କି ନାଶଇ ।

ମାୟାଟି ଲୋଭ ରୂପରେ ସବୁ ହୃଦେ ବସେ

ପକାଇ ନାନା ମାର୍ଗରେ ବେଳସରି ନାଶେ ।

ମାୟାଟି ହୀରା ନୀଳା ମୋତି ମାଣିକ୍ୟ ସ୍ୱରୂପେ

ସୁବର୍ଣ୍ଣ ସ୍ୱରୂପୀ ହୋଇ ସୃଷ୍ଟିଯାକ ବ୍ୟାପେ ।

ମାୟାଟି ପଦାର୍ଥ ବୋଲି ନ ଜାଣନ୍ତି କେହି

ପଦାର୍ଥ ଥିବା ଠାବରେ ସବୁ ଦୃଷ୍ଟ ହୋଇ ।

ରାଜାହିଁ ବହିନିଏ ବା ଅଗ୍ନି ଖାଇଯାଏ

ଚୋର ବହିନିଏ ଅବା ଶତ୍ରୁ କରେ କ୍ଷୟେ ।

ମାୟାକୁ ଅବିଦ୍ୟା କଥା ବହୁତ କରଇ

ମାୟାକୁ ଜଗି କାର୍ଯ୍ୟ ନ କରିପାରେ କେହି ।

ମାୟା ସ୍ତିରୀରୂପରେ ତ ସବୁ ଘରେ ଅଛି

ସ୍ୱାମୀକି ରାତ୍ରକାଳରେ ଶ୍ରଦ୍ଧାରେ ସାରୁଛି ।

କାମିନୀ ନୀବି ଦାଢ଼ରେ ପଡ଼ି ହୋଏ ମୋହି

ଏରୂପେ ମାୟା ପୁରୁଷ ନରପ୍ରାଣ ଖାଇ ।

ଏ ରୂପରେ ଦୈତ୍ୟପୁତ୍ର କ୍ରୀଡା କରୁ କରୁ

ଉଦୟ ହୋଇବେ ସୂର୍ଯ୍ୟ ନିଶି ପାହିବାରୁ ।

ମୁରର ପୁତ୍ରେ ଉଠିଲେ ନିଜ ଶଯ୍ୟା ଛାଡ଼ି

ଶେଷକଲେ ନିତ୍ୟକର୍ମ ବିଧି ମନ୍ତ୍ର ପଢ଼ି ।

ଆଖଡ଼ାଶାଳେ ଚଳିଲେ ଅନ୍ନ ଭୁଞ୍ଜି ସାରି

ବିଦ୍ୟା ସାଧନ କରିଲେ ମନେ କୂଟ ଧରି ।

ନରସିଂହ ଜଗନ୍ନାଥ ହରି ନାରାୟଣ

ଜାଣନ୍ତି ଯେ ଅନ୍ତର୍ଯ୍ୟାମୀ ସମସ୍ତଙ୍କ ମନ ।

ମୁର ପୁତ୍ରଙ୍କୁ ବିଚାର ମନେ ଜାଣିକରି

ବୋଇଲେ ନଷ୍ଟେ ଅକାଳେ ଏବେ ଯିବେ ମରି ।

ଯାହାକୁ ଯେଉଁ ମାର୍ଗରେ ବିଧାତା ଚଳାଇ

ତତକାଳେ ତାର ସେହି ବୁଦ୍ଧି ସୁରେ ଯାଇ

ଏହିରୂପେ ମନେ ପାଞ୍ଚି ବଇକୁଣ୍ଠବାସୀ

ବୋଇଲେ ମରିବେ ମୁର ପୋଏ ଆଜ ନିଶି ।

ପ୍ରଥମୁ ଛାଡ଼ିବେ ନାତି ପୁତୁରା କୁମାର ।

ଏ କଥା ମୁରକୁ କିଛି ନାହିଁ ତ ଗୋଚର ।

ସଂସାରେ ଯାହାକୁ ଆସି ଅଭାଗ୍ୟ ପଡ଼ଇ

ପ୍ରଥମୁ ତାହାର ନାତିଆଡ଼ରୁ ମରଇ ।

ବଦୟନ୍ତି ବେଦବ୍ରହ୍ମା ଶୁଣ ହେ ନାରଦ

କାଲି ରାତ୍ରେ ମୁର ପୁତ୍ରେ ହେବେ ମୃତ୍ୟୁଭେଦ ।

ଶ୍ରୀନୃସିଂହ ସବୁ ଜାଣି ନ ଜାଣିଲା ପ୍ରାୟେ

ପଢ଼ାନ୍ତି ସେ ଧନୁର୍ବିଦ୍ୟା ମନେ ନାହିଁ ଭୟେ ।

ଦୈତ୍ୟଙ୍କର କୂଟ ବୁଦ୍ଧି ଜାଣି ମହାପ୍ରଭୁ

ମନରେ ହସି ପଢ଼ାନ୍ତି ବିଦ୍ୟା ତାଙ୍କୁ ସବୁ ।

ମନେ ପାଞ୍ଚନ୍ତି ଆମ୍ଭର କିଛି ନାହିଁ ଦୋଷ

ଦୋଷ କରିବା ଲୋକଟି ଅଳ୍ପେ ଯାନ୍ତି ନାଶ ।

ପରକୁ ପ୍ରମାଦ ଯେତେ ପ୍ରାଣୀଏ ଚିନ୍ତନ୍ତି

ବିଧାତା ତାହାକୁ ଦଣ୍ଡ କାଳିରେ ପକାନ୍ତି ।

ବେନି ବରଷ ପୂରଣ ତିନିବର୍ଷ ମଧ୍ୟେ ।

ଲେଖୁଆଆନ୍ତି ତାହାଙ୍କ ମୃତ୍ୟୁ ଧାତା ବେଗେ ।

ଆମ୍ଭଙ୍କୁ ଯେ ଆଣିବାର ତିନିବର୍ଷ ଗଲା

ତିନି ବରଷେ ମରିବେ ନିଶ୍ଚେ ଦୈତ୍ୟ ଚେଲା ।

ମୋହର ପାଦରେ ସେବିଥାନ୍ତି ଯତେ ନରେ

ତାଙ୍କୁ ଯେ ମନ୍ଦ ଚିନ୍ତେ ସେ ତିନିବର୍ଷେ ମରେ ।

ବିଷ୍ଣୁର ମହିମା ଜାଣ ଅଟେ ଏଡ଼େ ଗୁଣ

ନୃସିଂହାବତାର ଆମ୍ଭେ ହୋଇଅଛୁ ପୁଣ ।

ଅଶେଷ କୋଟି ବ୍ରହ୍ମାଣ୍ଡ ଆମ୍ଭ ଗର୍ଭେ ଅଛି

ବ୍ରହ୍ମାଣ୍ଡ ଯାକରେ ପୂରି ସଂସାରେ ରହିଛି ।

କୀଟରୁ ବ୍ରହ୍ମା ପର୍ଯ୍ୟନ୍ତେ ଯେତେ ଦେହଧାରୀ

ହ୍ୱନ୍ତି ଆତଯାତ ବିଷ୍ଣୁ ଗର୍ଭରେ ସେ ପୂରି ।

ଯେବଣ ବାସୁକି ଅଛି ଚୌଦପୁର ବହି

ସେହି ପୁଣ ଅଛି ଜାଣି ବିଷ୍ଣୁ ଗର୍ଭେ ରହି ।

ବିଷ୍ଣୁ ଗର୍ଭେ ଚନ୍ଦ୍ର ସୂର୍ଯ୍ୟ ଉଦୟ ହୁଅନ୍ତି

ଦିବସ ରାତ୍ରି କରିଣ ବର୍ଷ ବୋଲାବନ୍ତି ।

ପବନ ଦେବତା ଗର୍ଭ ଭିତରେ ଯେ ଥାନ୍ତି

ସବୁରି ନାସାପୁଟରେ ପରକାଶ ପାଇ ।

ଆବର ଯେ ଧ୍ରୁବଲୋକ ଛନ୍ତି ବିଷ୍ଣୁ ଗର୍ଭେ

ଭଜନ୍ତି ଉଚ୍ଚ ଆସନେ ବସି ବାସୁଦେବ ।

ବିଷ୍ଣୁର ଗର୍ଭରେ ଥାଇ ହରି ବ୍ରହ୍ମା ବେନି

ସଂସାର ସର୍ଜନା କରିଛନ୍ତି ପୁର ତିନି

ମୋହର ତନୁ ଯେ କେଡ଼େ ତାଙ୍କୁ ନାହିଁ ଜଣା ।

ମୋ ଦେହ ଦୁର୍ଜୟ ଶୂନ୍ୟ ଅଟେ ଅକଳନା ।

ମୋର ଗର୍ଭମଧ୍ୟେ ବ୍ରହ୍ମା ପ୍ରଳୟ ହୁଅଇ ।

ପ୍ରଳୟ ଅନ୍ତେ ଏ ମହୀ ପୁଣି ପ୍ରକାଶଇ ।

ଆଦ୍ୟେ ହୋଏ ଜଳ ପୁଣ ଦ୍ୱିତୀୟରେ ସ୍ଥଳ ।

ତୃତୀୟରେ ପ୍ରକାଶିଣ ଆସେ ଦାବାନଳ ।

ଚତୁର୍ଥରେ ପବନ ଯେ ଶେଷରେ ଆକାଶ ।

ବିଷ୍ଣୁ ଉଦର ମଧ୍ୟରେ ଲୁଚିଛି ଏ ବିଶ୍ୱ ।

ଗର୍ଭ ମଧ୍ୟରେ ବିହାର ବିଷ୍ଣୁ ନିରାକାର ।

କାଠି ଉତ୍ତାରୁ ବଳିଣ ବିସ୍ତାର ଶରୀର ।

ବିସ୍ତାର କଥା ଜାଣନ୍ତି ଏକା ଆଦିମୂଳେ।

ଆନ ଲୋକଙ୍କୁ ଜଣା ତ ନୁହେଁ କେତେବେଳେ।

ଗୋବିନ୍ଦ ନାମ ଗଣିଲେ ଯେହ୍ନେ ନୋହେ ଅନ୍ତ

ସେହି ପ୍ରକାରେ ଅଟଇ ବିଷ୍ଣୁ ଗର୍ଭେ ଗର୍ତ୍ତ ।

କ୍ଷୀରାବ୍‌ଧିଶାୟୀ ବିଷ୍ଣୁଙ୍କ ପାଦେ ମୋର ଆଶ ।

ଶରଣ ପଶଇ ବିପ୍ର ପୀତାମ୍ବର ଦାଶ ।

ରାଜପୁତ୍ର ମହୀକର୍ଣ୍ଣର ରାତ୍ରରେ ଆଖଡ଼ାଶାଳେ ପ୍ରବେଶ ଓ ମାୟା ନୃସିଂହ ବଧ

ଏଥି ଉତ୍ତାରେ ପରୀକ୍ଷ ମହାରଥା ପୁଣ ।

ପୁଚ୍ଛେ ମୁନିଙ୍କ ଆଖଡ଼ାଶାଳର ବିଧାନ ।

ନୃସିଂହ ପ୍ରଭୁଙ୍କ ଯେଣୁ ଦୈତ୍ୟ ପୁତ୍ରମାନେ।

ମନ୍ଦ ପାଞ୍ଚିଲେ ମାରିବେ ବୋଲି ଯାତୁଧାନେ ।

ତହିଁକି ପାଞ୍ଚିଲେ ବୁଦ୍ଧି କିସ ଜଗନ୍ନାଥ ।

ଶୁଣିଲେ ବିଷ୍ଣୁ ପାଦରେ ରହିବ ସେ ଚିତ୍ତ ।

ପରୀକ୍ଷ ମୁଖରୁ ଶୁଣି ହସି ଶୁକମୁନି ।

ବୋଇଲେ ଶୁଣି ନୃସିଂହ ଦେବ ପୁଣ୍ୟଧ୍ୱନି ।

ଚତୁର୍ଥ ସାଗର ଏହି ଅଟେ ଗ୍ରନ୍ଥସାର ।

ନାରଦ ଆଗେ କହନ୍ତି ଯାହା ବେଦବର ।

ପୁରାଣ ପୁରା କରିଣ ବ୍ରହ୍ମା ଛନ୍ତି କହି।

ଶୁଣନ୍ତି ଯେ ଶ୍ରଦ୍ଧା ବହି ନାରଦ ଗୋସାଇଁ ।

କହିବା ସେ କଥାଯାକ ମଧ୍ୟ ଏବେ ଶୁଣ ।

ନୃସିଂହ ଅବତାରର ପ୍ରଜ୍ଞା ଯଶ ଗୁଣ ।

ନାରଦ ପଚାରନ୍ତି ଯେ ବିଧାତା କହନ୍ତି ।

ଗ୍ରନ୍ଥସାର ସାବଧାନେ ଶୁଣ ରେ ସନ୍ତତି ।

ଶ୍ରୀହରି ତ ଅସୁରଙ୍କୁ ଅଟନ୍ତି ଏକଘ୍ନୀ ।

ବିଦ୍ୟାଗୁରୁ କରି ଘରେ ରଖିଲା ବ୍ରହ୍ମାଗ୍ନି ।

ଅଗ୍ନିରେ ପଶି ନ ମରି କେହୁ ଜୀଇଛି କି ।

ଜଳେ ପଡ଼ି ନ ମରି କେ ପ୍ରାଣୀ ଆସିଛି କି ।

ଯେବଣ ଯୁବତୀ ଡେଇଁ ପଡ଼ଇ ଅଗ୍ନିକି।

ସେ କେବେ ଅଗ୍ନିକୁଣ୍ଡରୁ ପଳାଇ ଆସେ କି ।

ଯୁଦ୍ଧକୁ ଆଖୋଡ଼େ ଯାଇ କେହୁ ନ ପାରେ କି ।

ଯେବଣ ଲୋକଟି ଶସ୍ତ୍ର ଧରିଥାଏ ଟେକି ।

ଭଲ ବାକ୍ୟ କହିଲେ ସେ କୋପଇ ଅଧିକି

ତାହାକୁ ମୃତ୍ୟୁ ଜଗିଣ ପାରେ କିରେ ଡାକି ।

ମୁରକୁ କହିଲେ ଭଲ ନ କରଇ କେବେ

ମୃତ୍ୟୁକୁ ଡକାଇ ଘରେ ଆଣିଅଛି ଏବେ ।

ପ୍ରଭୁ ଜାଣନ୍ତି ସକଳ ଦୈତ୍ୟ ମୃତ୍ୟୁଭେଦ

ବଦୟନ୍ତି ବେଦବ୍ରହ୍ମା ଶୁଣ ରେ ନାରଦ ।

ପ୍ରାଣୀଙ୍କୁ ଯେତେବେଳେରେ ଘୋଟେ ଆସି କାଳ

ବିବେକ ବୁଦ୍ଧି ହରାଇ ହୁଏ ସେ ବିହ୍ୱଳ ।

ମୁରକୁ ଶିରୀ ଛିଡ଼ିଲା ଜାଣ ଏବେ ଆସି

ଆଦ୍ୟରୁ ତନୟ ନାତି ମରାଉଛି ବସି ।

ମୃତ୍ୟୁକୁ ସେ ଧ୍ୟାଉଅଛି ସୁଧାପ୍ରାୟେ ମଣି

ବଡ଼ସି କଣ୍ଟାକୁ ଯେହ୍ନେ ଧାଏଁ ମୀନ ପୁଣି ।

ସେରୂପେ ଅଛନ୍ତି ମୁରପୁତ୍ରେ କ୍ରୋଧ ବହି

ହରିଙ୍କି ମାରିବେ ବୋଲି ଗୁପ୍ତେ ଛନ୍ତି ରହି ।

ବୋଲନ୍ତି ଆମ୍ଭ ବାପର ଶତ୍ରୁ ଯେହେ ଏହୁ ।

ଏହାକୁ ଯେ ନ ରଖିବା କି ବୋଲି ଗୃହେ ଆଉ।

ଶ୍ରୀବିଦ୍ୟାଗୁରୁ ହୋଇ ଯେ କରେ ପ୍ରାଣହତ ।

ଡାହାଣି ହେଲେ ମାତା କି ବର୍ତ୍ତେ ଆଉ ସୁତ ।

ନୃପତି ହୋଇ ଯେବେ ନ ପାଳେ ପ୍ରଜାକୁଳ

ଆତ୍ମଘାତକୀ ବୋଲନ୍ତି ତାକୁ ଆଦିମୂଳ ।

ଯୁବତୀ ହୋଇ ଯେବେ ନ କରେ ପତି ସେବା

ପିଶାଚି ବୋଲିଣ ତାକୁ ପରାଣେ ଲେଖିବା ।

ବ୍ରାହ୍ମଣ ହୋଇଣ ଶୂଦ୍ରକୁ ଯେବେ ସେବା କରେ

ନମସ୍କାର ତାହାକୁ ନ କରି କୁଳାଚାରେ ।

ଜାର ତକା ଲୋକେ ଯେ ଥିବେ ଦେହ ଧରି

ତାହାଙ୍କ ମୁଖ ଚାହିଁ ନ ଯିବେ ଯାତ୍ରା କରି ।

ଥାଆନ୍ତି ପରହିଂସ୍ରକ ହୋଇ ଯେତେ ଲୋକେ।

ତାଙ୍କୁ ମାଇଲେ ପାପ ନ ଥାଇ ପୃଥ୍ୱୀଯାକେ ।

ନୃସିଂହ ବେନିଭାଇ ଯେ ଅଟନ୍ତି ସେ ରୂପେ

ମରିବେ ପରହିଂସାରୁ ଜାଣ ଏବେ ଏବେ ଆପେ।

ଆମ୍ଭ ପିତାଙ୍କୁ ମାରିବେ ଯେବେ ହୋଇ ଗୁରୁ

ଏହାଙ୍କୁ ନ ମାରି କେହ୍ନେ ଛାଡ଼ିଦେବା ଘରୁ ।

ଏହି ରୂପେ କୂଟ ପାଞ୍ଚି ମୁରପୁତ୍ର ଯାକ

ଶିଖନ୍ତି ନୃସିଂହ ମୁଖୁ ବିଦ୍ୟା ଏକୁ ଏକ ।

ଏମନ୍ତେ ପଢ଼ୁ ହୁଅନ୍ତେ ବେଳ ସାତଘଡ଼ି

ଭୁଞ୍ଜିଆସ ବୋଲକରି ଗୃହେ ଦେଲେ ଛାଡ଼ି ।

ଏହା ଶୁଣି ମୁରପୁତ୍ରେ ନଗରେ ଚଳିଲେ

ସ୍ନାହାନ ସାରି ଭୋଜନ କରିବାକୁ ଗଲେ ।

ଆଚମନ ସାରି ସଭା କରିଣ ବସିଲେ

ଆଜରାତ୍ରେ ଦେବହରି ମାରିବା ବୋଇଲେ ।

କାହାକୁ ଜଣା ନାହିଁ ଯେ ରାତ୍ରଅର୍ଦ୍ଧେ ଯାଇ

ମାରିବା ଆଖଡ଼ାଶାଳେ ସେହି ବେନି ଭାଇ ।

ରାତ୍ରଅର୍ଦ୍ଧୁ ଉଠି ଯିବା ଆଖଡ଼ା ଶାଳକୁ

ସମସ୍ତେ ବେଢ଼ିଣ ଘରେ ପୋଡ଼ିବା ବିଷ୍ଣୁଙ୍କୁ ।

ଏଥୁ ଅନନ୍ତରେ ବାଣୀ ଶୁଣ ହେ ନାରଦ

ନଦୀକି ବିଜେ କରିଣ ଚଳିଲେ ଗୋବିନ୍ଦ ।

ସ୍ନାନ ସନ୍ଧ୍ୟା ତର୍ପଣାଦି ସାରି ଦେବ ହରି

ମିଳିଲେ ଆଖଡ଼ାଶାଳେ ଆସି ବିଜେ କରି ।

ରାଜନୀତି ଦେବାର୍ଚ୍ଚନେ ବସି ମହାପ୍ରଭୁ

ଗରୁଡ଼ ଉପନମାନ ଦେଲେ ନେଇ ସବୁ ।

ନ ଜାଣଇ କାହାରିକୁ ଋଷିମାନେ ଆସି

କରନ୍ତି ନୃସିଂହ ପାଶେ ଦେବାର୍ଚ୍ଚନେ ବସି ।

ନିତ୍ୟପୂଜା କରିଣ ସେ ଯାନ୍ତି ଋଷିମାନେ

ନୃସିଂହ ବିଜୟ କଲେ ମଣୋହିର ସ୍ଥାନେ ।

ଆସନେ ଭାଇଙ୍କୁ ସଙ୍ଗେ ଘେନି ବିଜେକଲେ

ଶ୍ରୀମହାଲକ୍ଷ୍ମୀ ଆସିଣ ସୁଧା ପରଶିଲେ ।

ଭୋଜନ ସାରିଣ ପ୍ରଭୁ ଆଚମନ କରି

ପଲ୍ୟଙ୍କରେ ବିଜେକଲେ ଲକ୍ଷ୍ମୀ କୋଳେ ଧରି ।

ଗରୁଡ଼ ଭୁଞ୍ଜି ସାରିଣ ସୁଖେ ବସେ ଜାଗି

ଆଦିତ୍ୟ ଦେବତା ଆସି ହେଲେ ନିଶାଲାଗି ।

ସନ୍ଧ୍ୟା ଆଳତିମାନ ଯେ ଲାଗିହୋଇ ପ୍ରଭୁ

ବଡ଼ ସିଂହାର ବେଶକୁ କଲେ ଆସି ସବୁ ।

ଏଥୁ ଅନନ୍ତରେ ରାତ୍ର ଅର୍ଦ୍ଧ ହେଲା ଆସି

ପାଞ୍ଚନ୍ତି ମନେ ମନେ ସେ ମୁରପୁତ୍ରେ ବସି ।

ଅଶୀଳ ଦୈତ୍ୟ ପ୍ରବେଶ ହେଲା ଆସି ତହିଁ

ବୋଇଲା ହେ ରାଜପୁତ୍ରେ ଶୁଣ କହୁଛଇଁ ।

ସମସ୍ତେ ଚାଲ ଏବେ ଯେ ଧରି ଧନୁଶର

ମାରିବା ଆଖଡ଼ାଶାଳେ ପଶି ଚକ୍ରଧର ।

ସମସ୍ତେ ଚାଲ ଉଠିଣ ଯିବା ଏକାବେଳେ

ବେଢ଼େ ପକାଇ ମାରିବା ଘରେ ଆଦିମୂଳେ ।

ଏରୂପେ କହନ୍ତି କଥା ପାଞ୍ଚି ଦୈତ୍ୟ ବାଳେ

ଶୁଣିଣ ଉଠିଲେ ଧନୁ ଧରି ରାଜାବାଳେ ।

ସତରଲକ୍ଷ କୁମାର ନବଲକ୍ଷ ନାତି

ଧଇଲେ ଦାରୁଣ ପୁତ୍ରେ ଉଠି ଶର ଶକ୍ତି ।

ମହୀକର୍ଣ୍ଣ ବୋଇଲା ହେ ଶୁଣ ମିତ୍ରଲାଭ

ପିତାକୁ କହି ମାରିବା ଚାଲ ବାସୁଦେବ ।

ଏହା ଶୁଣି ରାଜପୁତ୍ରେ ଚଳିଲେ ତତ୍ପରେ

ରାଜାଙ୍କୁ କହିଲେ ଭେଟି ଏକାନ୍ତ ମନ୍ଦିରେ ।

ଏହାଶୁଣି ମୃରାସୁର ବୋଲେ ଯାଅ ପୋଏ

ଶତ୍ରୁକୁ ମାରିଣ ଆସି କରି ସବୁ ଜୟେ ।

ଅଶୀଳ ବୋଇଲା ଦେବ ତୋ ଆଜ୍ଞା ପ୍ରମାଣେ

ଆସନ୍ତୁ ଶତ୍ରୁକୁ ଶୀଘ୍ର ମାରି ପୁତ୍ରଗଣେ ।

ମଦନାବତୀର ସ୍ୱାମୀ ଶୁଣି ଖୁସି ହେଲା

ସଂହାରି ଆସ ଯାଇଁ ମୋ ଶତ୍ରୁକୁ ବୋଇଲା ।

ଶୁଣି ବାହାରିଲେ ସପ୍ତଦଶ ଲକ୍ଷ ପୁତ୍ର

ଆବର ଗଲେ ଯାବତ ଥିଲେ ନାତି ଗୋତ୍ର ।

ଦାରୁଣ ପୁତ୍ର ଅଶୀଳ ଆଦି ସେନାପତି

ସମସ୍ତେ ଖଡ଼ଗ ଧରି ଗଲେ ନିଶାରାତ୍ରି ।

ଆଖଡ଼ାଶାଳ ଦ୍ୱାରରେ ପ୍ରବେଶିଲେ ଯାଇ

ଦେଖିଲେ ପାହାରୀମାନେ ଜଗିଛନ୍ତି ତହିଁ ।

ସେମାନେ ପୁଚ୍ଛିଲେ ଉଠି ରାଜପୁତ୍ରଯାକୁ

ବୋଇଲେ ରାତ୍ରେ ଆସିଲ କିମ୍ପା ଆଖଡ଼ାକୁ ।

ରାଜାର ଜ୍ୟେଷ୍ଠ ତନୟ ଯେଉଁ ମହୀକର୍ଣ୍ଣ

ବୋଲଇ କହିବା ଗୁପ୍ତକଥା ତୁମ୍ଭେ ଶୁଣ ।

ଆମ୍ଭର ଅଟନ୍ତି ଜାଣ ବିଦ୍ୟାଗୁରୁ ଯେହୁ

ଆମ୍ଭଙ୍କୁ ମାରିବେ ବୋଲି ଆସିଛନ୍ତି ସେହୁ ।

ବିଦ୍ୟାଗୁରୁ ହୋଇଣ ସେ ଗୁପ୍ତେ ଛନ୍ତି ରହି

ରାଜାଙ୍କୁ ମାରିବେ ବୋଲି ଛନ୍ତି ବେନିଭାଇ ।

ଏ ଦୁହେଁ କୃଷ୍ଣବଲ୍ଲଭ ରାଜା ଶିଷି ପୁଣି

ନୃସିଂହବତାର ହୋଇଛନ୍ତି ଏହିକ୍ଷଣି ।

ନାରଦେ କହିଲେ ଏହିକଥା ଗୁପ୍ତକରି

ତେଣୁ ଏହାଙ୍କୁ ଆଣିଲେ ଆମ୍ଭ ରାଜା ଧରି ।

ଶ୍ରୀବିଦ୍ୟାଗୁରୁ କରିଣ ଘରେ ରଖିଲେଣି

ରଖନ୍ତେ ସମୟ ବହିଗଲା ବର୍ଷ ବେନି

ଏତେ ଦିନକରେ ଆସି ରାଜା ଆଜ୍ଞା ହେଲା

ନୃସିଂହକୁ ମାରିବାକୁ ଗୁପ୍ତେ ମନ କଲା ।

ତେଣୁ ସେ ଏଠାକୁ ରାଜା ପେଷିଲେ ଆମ୍ଭଙ୍କୁ

ରାତ୍ରଅର୍ଦ୍ଧେ ମାରି ଯିବୁ ଏହି ନୃସିଂହକୁ ।

ଶୁଣିଣ ପାହାରି ମାନେ ହେଲେ ଆଚମ୍ବିତ

ବୋଇଲେ ଲାଗିଲା ଏହା ଶୁଣି ବିପରୀତ ।

ଆମ୍ଭ ରାଜାଙ୍କୁ କରିବେ ଯେବେ ସେହୁ ନାଶ ।

ତାହାକୁ ରଖିଲେ ଆଉ ନ ମିଳେ ପୌରୁଷ ।

ଦେହେ ପଡ଼ିଲେ ବ୍ରାହ୍ମଣ ଗୋରୁ ହେଲେ ଛେଦି

ରଖିବା କେମନ୍ତେ ଜାଣୁ ଏଡ଼େ ବାଦୀ ।

ଏରୂପେ ବୋଲି ଜଗିଲେ ଦ୍ୱାରୀ ଚେତା ହୋଇ

ମୁରର ପୁତ୍ରେ ଭିତରେ ପଶିଲେ ଧସାଇ ।

ଅସୁର ପୁତ୍ରଙ୍କ ମାୟା ଜାଣି ଭଗବାନ

ପଲ୍ୟଙ୍କୁ ଉଠି ବସିଣ ବିଚାରିଲେ ମନ ।

ବୋଇଲେ ଆରେପାପିଷ୍ଠ ଆସ ମୋତେ ମାରି

ତୁମ୍ଭର ବଳେ ମୋତେ କି ନାଶ କରିପାରି ।

ବାଲି ଫିଙ୍ଗିଲେ ପର୍ବତ ହୋଏକିରେ ଗୁଣ୍ଡା

ଅକର୍ମଶିଳାକ ହାଣି ପାରିବ କି ଖଣ୍ଡା ।

ପକାଇଣ ଧୂଳି କେହୁ ଅବ୍‌ଧି କରେ ପୋତା

ନଳେ ମାପି ଆକାଶେ କେ କରିବ ଗଣିତା ।

ବିଷ୍ଣୁର ଆୟୁଷ କେତେ କେହୁ କଳିପାରେ ।

ଜୀବ ଥାଇ କେ ବଢ଼ଇ ବ୍ରହ୍ମା ପ୍ରଳୟରେ ।

ବିଷ୍ଣୁ ଏକା ରହିକରି ବଢ଼େ ଦେହ ଧରି

ସେ ପ୍ରଭୁଙ୍କୁ ନଷ୍ଟେ ଦେଖ ଆସୁଛନ୍ତି ମାରି ।

ଯେ ପାପ ପାଞ୍ଚଇ ସେହୁ ଅଳ୍ପେ ଯାଏ ନାଶ

ଦଇତେ ଅନଳ ଦେବେ ଜାଣୁ ଜାଣୁ ଝାସ ।

ଗୁରୁ ବୋଲି ଏହିମାନେ ନ ମାନିଲେ ଢାଳେ

ଶିଷ୍ୟ ହୋଇ ଶତ୍ରୁଠାରୁ ବଳିଲେ ଚଣ୍ଡାଳେ ।

ଗୃହକୁ ଆସିଣ ଏବେ ହେଲେ ଶିରୀଚ୍ୟୁତ

ନିବଂଶ ସେ କରୁଅଛି ଆଦ୍ୟୁ ନାତି ପୁତ୍ର ।

ଯାହାକୁ ସଂସାରେ ଆସି ଅଭାଗ୍ୟ ପଡ଼ଇ

ନାତି ଆଡ଼ୁ ବଂଶ ତାର ପ୍ରକାଶି ଛିଡ଼ଇ ।

ଏରୂପେ ପାଞ୍ଚନ୍ତେ ମନେ ମନେ ଦେବରାଜେ

ଗରୁଡ଼ ଶେଷଦେବଙ୍କୁ ଘେନି କଲେ ବିଜେ ।

ଶ୍ରୀମହାଲକ୍ଷ୍ମୀଙ୍କି ପ୍ରଭୁ କୋଳ ଗ୍ରତ କରି

ତହୁଁ ଉଡ଼ି ଚାଲିଗଲେ ପକ୍ଷୀରାଜ ପରି ।

କାହାକୁ ଯେ ଜଣାନାହିଁ ଶୂନ୍ୟେ ଗଲେ ଉଠି

ଦିଶନ୍ତି ଯେ ଶୋଇଲାର ପ୍ରାୟେ ପଲ୍ୟଙ୍କଟି ।

ଏଥୁ ଅନନ୍ତରେ ତହିଁ ମୁରପୁତ୍ର ଯାକ

ବେଢ଼ିଲେ ମାରିବେ ବୋଲି ହୋଇ ଡାକହାକ ।

ଦେଖିଲେ ପଡ଼ନ୍ତି ଦ୍ୱାରେ କବାଟ କିଳିଣୀ

ବିଷମ ଅର୍ଗଳି ମୁଦ ବଜ୍ରସମ ଜିଣି ।

ପେଲିଲେ ନ ଚଳେ ସେହୁ ମେରୁକୀଳା ପ୍ରାୟେ

ତାଡ଼ିଲେକ ଶାବଳର ମୁନେ ଦୈତ୍ୟ ପୋଏ ।

କବାଟ ମେଲା କରିଣ ପଶିଲେ ଭିତରେ

ଦେଖିଲେ ପଲ୍ୟଙ୍କ ବେନି ପଡ଼ିଛି ମନ୍ଦିରେ ।

ଦିଶନ୍ତି ଶୟନ କଲା ପ୍ରାୟେ ବେନିଭାଇ

ଯେହ୍ନେ ତହିଁ ଚନ୍ଦ୍ର ସୂର୍ଯ୍ୟ ଜ୍ୟୋତି ବିରାଜଇ ।

ପାଟ ଶେଯ ମୁଚୁଳା ଯେ ସ୍ୱର୍ଣ୍ଣ ଜରିପାଗ

ପଡ଼ିଅଛି ତହିଁପରେ କେତକୀ ପରାଗ ।

ଅସୁରଙ୍କୁ ଖଟ ଶେଯ ଦିଶେ ଝଟ ଝଟ

ପଡ଼ିଛି ଅଚଳ ମେରୁ ପ୍ରାୟେ ରତ୍ନଖଟ ।

ଦଇତ୍ୟ ବୋଇଲେ ଏହିକାଳେ ବେଗେ ମାର

ଚେତନା ପାଇଲେ କଥା ହେବ ଅପ୍ରକାର ।

ଅବିଶ୍ୱାସ ହେଲା ପ୍ରାୟେ ହେବ କଥା ସିନା

ଚେତା ନୋହୁ ପିଟିକର ପଲ୍ୟଙ୍କରେ ଚୂନା ।

ଅସୁର ଉଠିଲେ ଏତେ ପାଞ୍ଚି କୋପଭରେ

ପିଟିଲେ ଗଦା ନେଇଣ ପଲ୍ୟଙ୍କ ଉପରେ ।

ଶାବେଳି ଦୁଆଡ଼ କୁନ୍ତ ଆଉ ଏକ ମୁନା

ପରଶୁ ଖପର କାତି ଭୂଷଣ ଫର୍କନା ।

ଆବର ମୁଦ୍‌ଗର ଭାଲ ଯଷ୍ଟି ଶକ୍ତି ଶୂଳ

ପିଟିଲେ ଖଡ଼ଗ ବଜ୍ର ନେଇ ଦୈତ୍ୟବଳ ।

ଯେତେ ପରକାର ଶର ହାତେ ଧରିଥିଲେ

ପଲ୍ୟଙ୍କ ଉପରେ ନେଇ ସର୍ବ ପ୍ରହାରିଲେ ।

କେ ପିଟଇ କେ ଛେଚଇ ଭୁଷେ ଶୂଳ ଧରି

କେହୁ ଖଣ୍ଡା ପ୍ରହାରେ କେ ପାଶୁପତ ମାରି ।

ପଲ୍ୟଙ୍କଯାକ ଭାଙ୍ଗିଣ କଲେ ମସି ଗୁଣ୍ଡ

ଗର୍ଜ୍ଜନ୍ତି ଦଇତ୍ୟପୁତ୍ରେ ହୋଇଣ ପ୍ରଚଣ୍ଡ ।

ବୋଲନ୍ତି ଆମ୍ଭ ପିତାର ଗଲା ଶତ୍ରୁ କ୍ଷୟେ

କରନ୍ତୁ ବୋଗ ନିଶ୍ଚିନ୍ତେ ପୃଥ୍ୱୀ ଏବେ ରାୟେ ।

ଏ ଛାର କଥାକୁ ପୁଣି ଭାଳି ବସିଥାନ୍ତି

କାହାରି ଆଗରେ ଏହି କଥା ନ କହନ୍ତି ।

ଆମ୍ଭଙ୍କୁ ଆଗହୁଁ ପିତା ଯେବେ ଥାନ୍ତେ କହି

ଏତେହେଁ ଦିନ ବର୍ତ୍ତିକି ରହିଥାନ୍ତେ ଏହି ।

ଆସିଣ ଦେଖନ୍ତୁ ଏବେ କାଲି ଇଚ୍ଛା ସୁଖେ

ଶତ୍ରୁ ଛାର କି ପଡ଼ିଲେ ରହେ ଆମ୍ଭ ମୁଖେ ।

ଅଶୀଳ ବୋଲେ ଏ ଗଲେ ସମସ୍ତଙ୍କ ଶଲ

ରାଜା ଛାମୁରେ କହିବା ଏବେ ଯାଇ ଚାଲ ।

ଏହା ଶୁଣି ମହୀକର୍ଣ୍ଣ ବୋଲେ ଚାଲ ବେଗେ

କହିବା ସୁଲଭ କଥା ଯାଇ ରାଜା ଆଗେ ।

ଏହିରୂପେ ମନେ ପାଞ୍ଚି ରାଜପୁତ୍ରମାନେ

ଜଗାଇଣ ଦ୍ୱାରୀଙ୍କୁ ରଖିଲେ ସେ ସ୍ଥାନେ ।

ବୋଇଲେ ରାଜାଙ୍କ ଆଜ୍ଞାହେବ ଯେତେବେଳେ

ଶୁଣିଲେ ତେବେ ତ ଯାଇ ଆସିବୁ ତତ୍କାଳେ ।

ଏରୂପେ ଆସନ୍ତେ କହି ତାଙ୍କୁ ଦୈତ୍ୟପୋଏ

ନିକାଞ୍ଚନେ ବସିକରି ଭାଳେ ଦୈତ୍ୟରାୟେ ।

ବୋଇଲେ ରାତ୍ରେ ପୁତ୍ରଙ୍କୁ ଦେଲି କିମ୍ପା ପେଷି

ଗୁପତେ ତାହାଙ୍କ ସଙ୍ଗେ ନ ଗଲି ମୁଁ ମିଶି ।

ନ ପୁଣ ପୁତ୍ରଙ୍କୁ ମୋର ପ୍ରମାଦ ପଡ଼ଇ

ଆଗହୁଁ ପାଞ୍ଚି ଏହା ନ ଗଲି କିପାଁ ମୁହିଁ

ଏରୂପେ ଭାଳଇ ମୁର ବସି ମନେ ମନେ

ମିଳିଗଲେ ପୁତ୍ରେ ଆସି ରାଜା ସନ୍ନିଧ୍ୟାନେ ।

ମହୀକର୍ଣ୍ଣ ମିତ୍ରଲାଭ ମହୀଶୂଳ ଯାଏ

ମହାକାଳ ମହାବଳ ମହୀଶୀଳ ରାୟେ ।

ମହାନ ମହୀଶୀଳ ଯେ ମକରାକ୍ଷସାଦି

ମହୀଚନ୍ଦ୍ର ମହେନ୍ଦ୍ର ମନ୍ମଥ ମନଭେଦୀ ।

ଏହି ବିବିଧ ଅକ୍ଷରେ ପୁତ୍ରନାମ ସିନା

ଗଲେ ରାଜାଙ୍କୁ ଛାମୁକୁ ଉଡ଼େ ବୀରବାନା ।

ଆସିଣ ରାଜା ପାଦରେ କଲେ ନମସ୍କାର

ଦେଖିଣ ଅଙ୍ଗରୁ ଭୟ ଛାଡ଼ିଣ ସେ ମୁର ।

ପୁଚ୍ଛଇଲା ସେ ହସିହସି ଆସିଲ କି ବାବୁ

ଶତ୍ରୁ ମାରି ପାରିଲ କି କହ ଆଗ ସବୁ ।

ପୁତ୍ରେ ବୋଇଲେ ବିନାଶି ଅଇଲୁ ବଇରୀ

ଗଦାରେ ପିଟିଣ ତହିଁ ଦେଲୁ ତାଙ୍କୁ ମାରି ।

ପଲ୍ୟଙ୍କ ଖଟ ଦୋଳି ସୁପାତି ଶଯ୍ୟା ଯେତେ

ସମସ୍ତେ ଧୂଳି ହୋଇଣ ଗଲେ ଗଦାଘାତେ ।

ଏ ଛାର କଥାକୁ କେତେ ଭାଳୁଥିଲୁ ତୁହି

ଅଚିନ୍ତା ହୋଇ ନିଶ୍ଚିନ୍ତେ ଥାଅ ଏବେ ରହି ।

ଏହାଶୁଣି ମୃରାସୁର ହେଲା ବଡ଼ ଶ୍ରଦ୍ଧା

ବୋଲଇ ଅଟନ୍ତି ପୁତ୍ରେ ମୋର କେଡ଼େ ଯୋଦ୍ଧା।

ସାକ୍ଷାତରେ ବିଷ୍ଣୁ ମାରି ନିଶ୍ଚିନ୍ତ କରିଲେ

ବିଷ୍ଣୁ ଠାରୁ ବଡ଼ ପ୍ରାୟେ ମୋତେ ଏ ଦିଶିଲେ ।

ଏତେବୋଲି ମହାରାଜା ପୁତ୍ରକୁ ପ୍ରଶଂସି

ସବୁରି ମୁଖେ ଚୁମ୍ବନ ଦେଲାକ ଆଶ୍ୱାସି ।

ପୁତ୍ରଙ୍କୁ ସଙ୍ଗରେ ଧରି ଚଳିଲା ଗୃହକୁ

କୁମରେ ଚଳିଲେ ତହୁଁ ଶଯ୍ୟା କରିବାକୁ ।

ଏଥୁଅନ୍ତେ ରାଜା ମନେ ଆନନ୍ଦ ହୋଇଲା

ମଦନାବତୀ ପୁରକୁ ତହୁଁ ବିଜେ କଲା ।

ବିଷ୍ଣୁ ମରଣ ପୁତ୍ରଙ୍କ ମୁଖୁଁ ଶୁଣିଥିଲା

ତେଣୁ ଆନନ୍ଦ ଚିତ୍ତରେ ଦ୍ୱିଗୁଣ ଜନ୍ମିଲା ।

ନମର ଆନନ୍ଦ କଥା ଅଳପ ଅଟେ କି

ସ୍ୱର୍ଗର ଭୋଗ ପରାୟ ତୁଳନା ନୁହେଁ କି ।

ତାମ୍ବୁଳ ସାରି ପଲ୍ୟଙ୍କେ ରାଜା କଲା ବିଜେ

ରାଣୀକୁ ଚାହିଁଣ ପୁଣି କହେ ନୃପରାଜେ ।

ବୋଲେ ସଖି ଆଜହେଲା ଏ ବଡ଼ ଅଦ୍ଭୂତ

ମାରିଣ ଆସିଲେ ପୁତ୍ରେ ଯାଇ ଜଗନ୍ନାଥ ।

ଆଜ ରାତ୍ର ଅର୍ଦ୍ଧକାଳେ ଆଖଡ଼ାକୁ ଯାଇ

ଗୁପ୍ତେ ମାରି ଆସିଲେ ନୃସିଂହ ବେନିଭାଇ ।

ତାହାଙ୍କୁ ସଂସାରେ ସିନା ମୋର ଭୟଥିଲା

ଏଥର ପ୍ରଳୟ ଯାଏ ମହୀ ଭୋଗ ହେଲା ।

ପ୍ରଳୟ ହେଲେ ମରିବି ଜାଣିଥାଅ ତୁହି

ଅଚିନ୍ତା ହୋଇ କରିବା ଭୋଗ ଏବେ ମହୀ ।

ମଦନାବତୀ ଏ ରୂପେ ରାଜା ମୁଖୁ ଶୁଣି

ରହିଲା ନିର୍ଜୀବ ପ୍ରାୟ ହୋଇ ଦଣ୍ଡେ ପୁଣି ।

ନୃସିଂହ ପ୍ରଭୁଙ୍କୁ ପୁତ୍ରେ ମାଇଲେ ବୋଲିଣ

ଜିହ୍ୱା କାମୋଡ଼ିଣ ରାଣୀ କହେ ବିଷ୍ଣୁ ଗୁଣ ।

ବୋଇଲେ କେଡ଼େ କଥାତ କହ ସ୍ୱାମୀ ମୋତେ

ସଜୀବ ବିଷ୍ଣୁର ତୁଲେ ଲାଗିଲ କେମନ୍ତେ ।

ବିଷ୍ଣୁରେ ଦ୍ରୋଣ ଅର୍ଜିଣ ମଲେ କେତେ ମୂଢ଼

ମଧୁକଇଟଭଠାରୁ ତୁମ୍ଭେ ନୁହେଁ ବଡ଼

ପ୍ରଳୟ ଜାତ ତାହାକୁ ହେଲା ଆଣ୍ଠୁଆଣି

ତାହାକୁ ମାରିଣ ପୃଥ୍ୱୀ କଲେ ଚକ୍ରପାଣି ।

ପଞ୍ଚାଶ କୋଟି ଯାଏ ସେ କାୟା ବିସ୍ତାରିଲେ

ତାହାକୁ ମର୍ଦ୍ଦିଣ ହରି ଜଳେ ପକାଇଲେ ।

ସେ ଦଇତାଠାରୁ ତୁମ୍ଭେ କେତେ ଗୁଣ ବଡ଼

ବୋଲୁଛ ଆସିଲେ ପୋଏ ମାରି ଯୋଗାରୂଢ଼ ।

ବାହାରେ ପଚାଶକୋଟି ପୃଥ୍ୱୀ ଆଦି ଯେତେ

ଅଛିଦ୍ରେ ପୂରିଣ ହରି ଅଛନ୍ତି ଜଗତେ ।

ମୁଠାକରି ଧଇଲେ ସେ ଧରା ନ ଦିଅନ୍ତି

ଭକତ ଚିନ୍ତିବାମାତ୍ରେ ଆଗେ ଉଭା ହ୍ୱନ୍ତି ।

ସବୁରି ଦୃଷ୍ଟି ଅଗ୍ରରେ ଥାନ୍ତି ବିଜେ କରି

ଚିହ୍ନି ନପାରେ ପ୍ରଭୁଙ୍କୁ କେହି ଦେହ ଧରି ।

ଶୂନ୍ୟରୂପେ ଶରୀରର ମଧ୍ୟେ ଥାନ୍ତି ରହି

ସୁଜ୍ଞାନୀ ଚିହ୍ନି ପାରିଲେ ଦେଖେ ଏକା ସେହି ।

ଭକ୍ତ ଚିନ୍ତାକଲେ ତତକାଳେ ଦୃଶ୍ୟ ହ୍ୱନ୍ତି

ଆତଙ୍କ ନାଶିଣ ତାର ଦୃଷ୍ଟି ଅଗ୍ରେ ଥାନ୍ତି ।

ବସିଲେ ବେନିଜନଙ୍କ ମଧ୍ୟେ ଯାହା ଦିଶେ

ଅଟନ୍ତି ସୃଷ୍ଟି କରତା ସେହି ଜଗଦୀଶେ ।

ଅହିଂସା ସ୍ୱରୂପେ ହରି ଅଙ୍ଗେ ବ୍ୟାପିଥାନ୍ତି

ଅଟନ୍ତି ପରମାନନ୍ଦ ନିରାଲମ୍ବମୂର୍ତ୍ତି ।

ପରମାନନ୍ଦ ଅଟନ୍ତି କାହିଁ ହିଂସା ନାହିଁ

ଶତ୍ରୁ ମିତ୍ର ଭେଦନାହିଁ ସବୁ ସମ ତହିଁ ।

ପ୍ରଳୟ ହେଲେ ସମସ୍ତ ସୃଷ୍ଟି ନାଶ ଯାନ୍ତି

ଏକବ୍ରହ୍ମ ଗୋଟି ସେହି ନିରାଲମ୍ବେ ଥାନ୍ତି ।

ଶ୍ରୀନିରାଲମ୍ବେ ପ୍ରଭୁ ଯେ ଦଶ ଅବତାର

ସ୍ୱରୂପ ହୋଇ ନାଶନ୍ତି ପୃଥ୍ୱୀ ଭାରାଭର ।

ମତ୍ସ୍ୟ କୂର୍ମ ବରାହ ନୃସିଂହ ରୂପ ହୋନ୍ତି

ବାମନ ପରଶୁରାମ ରାମ କୃଷ୍ଣ ମୂର୍ତ୍ତି ।

ବୌଦ୍ଧ କଳିକି ରୂପେ ପରକାଶି ଆଦିମୂଳ

ଲୀଳା ସାରିଲେ ଚଳିଣ ଯାନ୍ତି ନିତ୍ୟସ୍ଥଳ ।

ତହୁଁ ବଇକୁଣ୍ଠପୁରେ ଯାଇଁ ବିଜେ ହୋନ୍ତି

ଯୁଗକୁ ଯୁଗ ଜନମି ଦୁଷ୍ଟ ସଂହାରନ୍ତି ।

ତାହାଙ୍କୁ ବୋଲୁଛ ପୋଏ ପକାଇଲେ ମାରି

ବ୍ରହ୍ମାଣ୍ଡ ଯାକରେ ବ୍ୟାପି ଅଛନ୍ତି ଶ୍ରୀହରି ।

କ୍ଷଣକରେ ଯେଉଁ ପ୍ରଭୁ ଲୀନ ହୋଇଯିବେ

କ୍ଷଣକରେ ଆସି ପୁଣି ଆଗେ ଉଭା ହେବେ

ସହସ୍ରେକ କୋଟି ବାଣ ମାଇଲେ ଯା ଅଙ୍ଗେ

ନଭେଦି ଗୁଣ୍ଡ ହୋଇଣ ପଡ଼େ ସେହିଲାଗେ ।

କୋଟି କୋଟି କରି ମାରୁଥିଲେ ବଜ୍ରବାଣ

ନ ଭେଦି ଅକର୍ମ ଶିଳା ପରି ନାରାୟଣ ।

ଅଗ୍ନିରେ ନପୋଡ଼ି ଯେହୁ ଜଳେ ନ ଛିଡ଼ଇ

ପବନରେ ନ ଉଡ଼େ ସେ ଖଡ଼ଗେ ନ ବୁଡ଼ଇ ।

ଛେଚିଲେ କୋଡ଼ିଲେ ଯାର ନୁହେ ଲୋମ ବାଙ୍କ

ତାଙ୍କୁ ବୋଲୁଛ ମାଇଲେ ବୋଲି ପୁତ୍ରଯାକ ।

ପୁତ୍ରଙ୍କର ଆଶା ତେବେ ଛାଡ଼ ନୃପମଣି

କି ବୋଲି ରଖିଲ ଗୁରୁ କରି ଚକ୍ରପାଣି ।

ଆଖଡ଼ାଶାଳକୁ ତୁମ୍ଭେ କାଲି ଦେଖ ଯାଇ

କି ରୂପେ ବିଜୟ କରିଥିବେ ଭାବଗ୍ରାହୀ

କରିବ ମୋହର ବୋଲ ଯେବେ ସ୍ୱମୀଶୁଣ

କୁଟୁମ୍ବଯାକ ହେ ଚାଲ ପଶିବା ଶରଣ ।

ଶରଣ ପଶିଲେ ଜାଣ କରିବେ ସେ ଗତି

ପରମ ଦୟାଳୁ ପୁଣ ସେହି ଲକ୍ଷ୍ମୀପତି ।

ସର୍ବଦା ଅଶରଣ ଯେ ପ୍ରାଣୀ ହୋଇଥିବ

ତାଙ୍କୁ ଶରଣ ଦିଅନ୍ତି ଆଗେ ବାସୁଦେବ ।

ଆଗରେ ଯାଉଛି ମୁହିଁ ପଛେ ତୁମ୍ଭେ ଥାଅ

ଦର୍ଶନ କରିବା ସଙ୍ଗେ ନେଇ ସବୁ ପୁଅ ।

ସାକ୍ଷାତେ ଗୁରୁ ଅଟନ୍ତି ସିନା ଭଗବାନ

ଚାଲ ଦରଶନ କରି ଆସିବା ବହନ ।

ମୁର ବୋଇଲେ ହୋଇଲୁ ସଖି କିରେ ବାଇ

ମଲା ବେଳକୁ ସେବା ତୁ କରିବୁ କିପାଇଁ

ଆଜ ରାତ୍ର ଅର୍ଦ୍ଧରେ ତ ସବୁ ପୋଏ ମୋର

ମାରିଣ ଆସିଣ ସେମାନେ ଛନ୍ତି ଯେଝାଘର ।

ମୃତ ଶବକୁ ଦର୍ଶନ ଯାଇ କରିବୁ କି

କୃଷ୍ଣବଲ୍ଲଭର ପୋଏ ଜୀଇଁ ଆସିବେ କି ।

ବିଶାଶଏ ଯୋଜନ ଯେ ଅଟେ ମୋର କ୍ଷିତି ।

ତହିଁରୁ ଅର୍ଦ୍ଧେକ ଭାଗ ମିଳେ ତୋତେ ବୃତ୍ତି ।

ତେଣୁ ତୁହି କହିବାକୁ ହେଲୁ ମୋତେ କ୍ଷମ ।

ଆନ କେହି କହିଥିଲେ ହ୍ୱନ୍ତା ପୂର୍ବଜନ୍ମ ।

ଏହାଶୁଣି ମହାଦେଈ ବସେ ହୋଇ ତୁନି ।

ଶୁଣରେ ବାବୁ ନାରଦ କହେ ପଦ୍ମଯୋନି ।

ଏଥି ଉତ୍ତାରୁ ପାହିଲା ଆସି ପୁଣି ରାତି ।

ପୂର୍ବଦିଗରୁ ଉଦୟ ହେଲେ ଛାୟାପତି ।

ଯେ ବିଧିରେ ନିତ୍ୟକର୍ମ ସାରିଲେ ଯେଝାରେ ।

ଆଖଡ଼ାଶାଳକୁ ସଜ ହେଲେ ଦୈତ୍ୟବୀରେ ।

ବୋଇଲେ କାଲି ରାତ୍ରେ ଯେ ଶତ୍ରୁ ନାଶିଲଇଁ ।

କିରୂପେ ହେଲେ ଦେଖିବା ତାର ଶବ ଯାଇ ।

ଏରୂପେ ମନେ ପାଞ୍ଚି ଯେ ଯାହା ଶସ୍ତ୍ର ଧରି।

ବାହାରିଲେ ମୁରପତ୍ର ଅଶୀଳାଦି କରି ।

ଆଖଡ଼ାଶାଳରେ ଯାଇ ହେଲେ ପରବେଶ

ନୃସିଂହ ଶରଣ ବିପ୍ର ପୀତାମ୍ବର ଦାସ ।

ମହୀକର୍ଣ୍ଣ ଦ୍ୱାରା ଆଖଡ଼ାଶାଳ ଦଗ୍‌ଧ ଓ ଗରୁଡ଼ ହସ୍ତେ ମୁର ପୁତ୍ରଙ୍କର ମୃତ୍ୟୁ

ବଦୟନ୍ତି ବେଦବ୍ରହ୍ମା ଶୁଣ ହେ ନାରଦ।।

ଜାଣିଲେ ଦୈତ୍ୟଙ୍କ ମାୟାଯାକ ସଦାନନ୍ଦ ।

ଅଲେଖ ନିରଞ୍ଜନ ଯେ ଅଟେ ଯାର ଦେହୀ

ଶ୍ରୀନିରାକାର ପୁରୁଷ ଯେଉଁ ଭାବଗ୍ରାହୀ ।

ପ୍ରକୃତ ଭେଦକୁ ଘେନିଥାନ୍ତି ସର୍ବ ଦେହେ ।

ଏକଇ ଆତ୍ମା ଜ୍ୟୋତି ନିର୍ଗୁଣ ନିରାମୟେ ।

ଶ୍ରୀନିରାଲମ୍ବ ପୁରୁଷ ପ୍ରଭୁ ବ୍ରହ୍ମରାଶି ।

ମଞ୍ଚପୁରରେ ଜନ୍ମନ୍ତି ଶରୀର ପ୍ରକାଶି ।

ସେ ପ୍ରଭୁ ମହିମା କରି ପାରିବ କି ଅନ୍ତ ।

କୃଷ୍ଣବଲ୍ଲଭ ଗୃହରେ ହେଲେ ଆସି ଜାତ ।

ମାୟା ମୂର୍ତ୍ତକି ଗୃହରେ ରଖି ଦେବରାଜେ ।

ମୃରାସୁର ର ପୁରକୁ କରିଲେକ ବିଜେ ।

ପଢ଼ାଉଥିଲେ ଯେ ବିଦ୍ୟାଗୁରୁ ହୋଇ ଘରେ ।

ମାରନ୍ତେ ଦଇତ୍ୟ ଗୁପ୍ତେ ରହିଲେ ଶୂନ୍ୟରେ ।

ଭାବେ ବୁଝିବା ବୋଲିଣ ଥିଲେ ଶୂନ୍ୟ ଯାଇ ।

ଦୈତ୍ୟଙ୍କୁ ନୃସିଂହ ଯିବାକଥା ଜଣାନାହିଁ ।

ଯେତେବେଳେ ପଶି ଭାଙ୍ଗିଲେ ଚଣ୍ଡାଳେ

ଶୂନ୍ୟରେ ଥାଇ ହସନ୍ତି ପ୍ରଭୁ କୁତୂହଳେ ।

ବୋଲନ୍ତି ପାପୀ ଦଇତ୍ୟ ଅଟ କେଡ଼େ ମନ୍ଦ

ହସ୍ତ ଘୋଡ଼ାଇଲେ କିବା ଲୁଚେ ସ୍ୱର୍ଗଚାନ୍ଦ ।

 

ଉଡ଼ିଯାଇ ପବନକୁ ଧରି କେ ପାରିଛି ।

ସମୁଦ୍ରର ନୀର ବୋହି କେହୁ ଶୁଖାଇଛି ।

ଅଙ୍ଗୁଳିରେ ମାପି କେହୁ ପୃଥ୍ୱୀ ଜଳିଛି କି ।

ବ୍ରହ୍ମାଣ୍ଡରେ ଆତ୍ମାକୁ କେ ଗଣି ପାରିଛି କି ।

ବର୍ଷାଧାରା ନଦୀ ବୋଲି କେହି ଗଣିଛି କି।

ଅନନ୍ତ ବିଷ୍ଣୁଙ୍କୁ କେହୁ ମାରି ପାରିଛି କି ।

କି ବୋଲିଣ ମୋତେ ମାରି ଆସିଛ ଦନୁଜ

ଥାଅ ଦିନକ ବଞ୍ଚି ବୁଝିବା ରାତ୍ର ଆଜ ।

କରନ୍ତି ଯେ ନାରାୟଣ ସବୁ ହୃଦେ ବିଜେ

କି ରୂପେ ତାହାଙ୍କୁ ମାରି ପାରିବେ ଦନୁଜେ ।

ଦଇବ ଯୋଗୁଁ ଅଖଡ଼େ ଯିବ ତୁମ୍ଭେ ନାଶ

ଆଜିଠାରୁ ଜୀବନକୁ ଛାଡ଼ିଥାଅ ଆଶ ।

ତଳଆଡ଼ୁ ବଂଶ ଆଗ କରାଉଛି କ୍ଷୟେ

ଏହି କର୍ମ ଅର୍ଜିଥିଲେ ତୁମ୍ଭ ବାପ ମାୟେ ।

ଆଜି ଦିନଯାକ ବଞ୍ଚି ରହିଥାଅ ବାଳ

ଏତେ ବୋଲି ଆକାଶରୁ ଖସି ଆଦିମୂଳ ।

ଆଖଡ଼ାଶାଳେ ମିଳିଲେ ଆସି ଲକ୍ଷ୍ମୀକାନ୍ତ

ଦେଖିଲେକ ହୋଇଅଛି ଶଯ୍ୟା ଧ୍ୱସ୍ତ ବ୍ୟସ୍ତ ।

ଗରୁଡ଼ ପୃଷ୍ଠରେ ବସି ପ୍ରଭୁ ବେନିଭାଇ ।

ବିଶ୍ୱକରମାକୁ ଚିନ୍ତା କଲେ ଭାବଗ୍ରାହୀ ।

ତତକ୍ଷଣେ ବିଶ୍ୱକର୍ମା ମିଳିଲେକ ବେଗେ

ବିଷ୍ଣୁ ବୋଇଲେ ସଜାଡ଼ ଶଯ୍ୟା ଏହି ଲାଗେ ।

ଶୁଣି ବିଶ୍ୱକର୍ମା ଦେଲା ନିରିମାଣି କରି

ଦଇତ୍ୟେ ଆସିବେ ବୋଲି ଗଲା ସେ ବାହାରି ।

ବିଶ୍ୱକର୍ମା ଚଳିଯାନ୍ତେ ନିରିମାଣି ଶଯ୍ୟା

ତହିଁପରେ ବିଜେ କଲେ ଆସି ଦେବରାଜା ।

ନିଶ୍ଚିନ୍ତରେ ତହୁଁ ନିଦ୍ରା ଗଲେ ବେନିଭାଇ

ଗରୁଡ଼ ପହରା ଜଗିରହେ ଗୁପ୍ତ ହୋଇ ।

ନୃସିଂହକୁ ସେବାକରି ବସିଲା ନିଶ୍ଚିନ୍ତେ

ମାୟାରେ ବିଷ୍ଣୁଙ୍କୁ ସେବାକରେ ରହି ଗୁପ୍ତେ ।

ଶ୍ରୀନୃସିଂହ ଆଜ୍ଞାକୁ ସେ ନ ହୁଅଇ ଦୃଶ୍ୟ

ମାୟା ପଟଳ ଢାଙ୍କିଣ ଛନ୍ତି ଜଗଦୀଶ ।

ନ ଦେଖେ ଗରୁଡ଼ କଲା ସେବା କେହିନେତ୍ରେ

ଏଥି ଉତ୍ତାରୁ ମିଳିଲେ ଆସି ଦୈତ୍ୟପୁତ୍ରେ ।

ଦେଖିଲେ ପଲ୍ୟଙ୍କେ ପ୍ରଭୁ ଛନ୍ତି ନିଦ୍ରା ଯାଇ

ଖଟରେ ଶୋଇ ଅଛନ୍ତି ଅଚେତନ ହୋଇ ।

ନିଶି ପାହିଣ ସମୟ ହେଲା ବେନି ଘଡ଼ି

ଅଛନ୍ତି ନିଶ୍ଚିନ୍ତେ ଶୋଇ ବାମକର ମାଡ଼ି ।

ଅଚେତା ପରାୟେ ହୋଇଛନ୍ତି ଭଗବାନ

ମନେ ପାଞ୍ଚନ୍ତି କରିବେ କିସ ଯାତୁଧାନ ।

ଏହିରୂପେ ମନେ ପାଞ୍ଚି ଅଛନ୍ତି ସେ ଶୋଇ

ତାହା ଦେଖି ଚମତ୍କାର ହେଲେ ଦୈତ୍ୟଯାଇଁ ।

ବୋଇଲେ ବଡ଼ ମାୟାବୀ ଅଟେ ଏ ଗୋବିନ୍ଦ

ଏଡ଼େ ପ୍ରଭାତେ କି ଦୁହେଁ ଯାଇଛନ୍ତି ନିଦ ।

ରାତିରେ ମାଡ଼ଖାଇ ସେ ମଲେ ପରା ବୋଲି

ପୁନରୁପି ଶୋଇ ପଡ଼ିଛନ୍ତି ଗଡ଼ଘାଲି ।

ପଚାରିଲେ କହିବା କି ବୋଲି ତାହା ଆଗେ

ଥୋକେବୋଇଲେ କହିବା କଟି ନାନା ବେଗେ।

ବଞ୍ଚାଇଣ ବୁଝାଇବା କିସ ଅଛି ଜାଣି

ଉଦାର ଅପାଣ୍ଡୁକ ସେ ଅଟେ ଚକ୍ରପାଣି ।

ଏତେ ମାଡ଼ ଖାଇ ପୁଣି ଖଟେ ଅଛି ଶୋଇ

ଚତୁର ଲୋକ ହୋଇଲେ ଯାଆନ୍ତା ପଳାଇ ।

ବୁଝିଲେତ ଦ୍ୱିଜମାନେ ପୁଣି ଅଳସୁଆ

ଖାଇବାକୁ ପାଇଲେ ନ ଯାନ୍ତି ଆନ ଗାଆଁ

ଏହିରୂପେ ସିନା କୃଷ୍ଣୂବଲ୍ଲଭର ପୋଏ

ରାଜାର ଆଦର ଘେନି ରହିଲେକ ଦୁହେଁ ।

ଏ ରୂପେ ବୋଲି ପାଶରେ ମିଳନ୍ତେ ଦଇତ୍ୟ

ମିଛେ ମିଛେ ଖଣ୍ଡି କାଶ ଦେଲେ ଜଗନ୍ନାଥ ।

ବୋଇଲେକ ଶୁଣ ଆରେ ଅସୁର ବାଳକେ

ତୁମ୍ଭର ଅନ୍ୟାୟ ସରି ନାହିଁ ପୃଥ୍ୱୀଯାକେ ।

ସନ୍ଧ୍ୟା କରିବାକୁ ଆମ୍ଭେ ନଦୀକୁ ଯାଆନ୍ତେ

ସେଠାକୁ ବୋଲିଣ ରଡ଼ି ଶୁଭେ ଅଲୋକିତେ ।

ନିତ୍ୟକର୍ମ ସାରି ଆମ୍ଭେ ଆସନ୍ତେ ଏଠାକୁ

ଦେଖିଲୁ ଆସନ ଶଯ୍ୟା ନାହିଁ ଶୋଇବାକୁ ।

ତାହା ଦେଖିଣ ଆମ୍ଭକୁ ଲାଗେ ମହାଭୟେ

ପକାଇ ଶୋଇଛୁ ଆନ ଶଯ୍ୟା ଆନଠାୟେ ।

କହରେ କାହିଁକି କର ଏଡ଼େ ଉପଦର୍ପ

ଏହା କର ବୋଲିଣ କି କହେ ତୁମ୍ଭ ବାପ ।

ଯାଅ ଯା ବୋଇଲେ ଆମ୍ଭେ ସୁଖେ ଚଳିଯାନ୍ତୁ

ମହତ୍ତ ବୁଡ଼ାଇ ଏଥେ କିପାଁ ରହିଥାନ୍ତୁ ।

ଶୁଣି ମୃରାସୁର ପୋଏ ମନେ ବଡ଼ ଭାଳି

ବଞ୍ଚାଇ କଥା କହନ୍ତି ଥୋକେ ଆଗେ ମିଳି ।

ଅସୁର ବୋଇଲେ ତୁମ୍ଭେ ପୁଚ୍ଛିଲେହେ ଯାହା

ଛାମୁରେ କହିବାକୁ ଯେ ଲାଗେ ଭୟ ତାହା ।

ତଥାପି ଗୁରୁଙ୍କୁ ଯେବେ ନ କହିବା ଫେଡ଼ି

ମନରୁ ଦୋଗଧା କେବେ ନଯିବ ସେ ଛାଡ଼ି ।

ଏତେକ କହି ବିନୀତ ହୋଇ ଦୈତ୍ୟ ପୋୟେ

ବୋଇଲେ କହୁଛି ଶୁଣ ପ୍ରଭୁ ଦେବରାୟେ ।

ଆମ୍ଭେ ଯେ କାଲି ରାତ୍ରେ ଅନ୍ଧାରି ବିଜେକଲୁ

ଆସୁ ଆସୁ ବୁଲୁ ବୁଲୁ ଏଠାରେ ମିଳିଲୁ ।

ଦେଖିଲୁ ମହାସର୍ପେକ ପଡ଼େ ଆସି ଦ୍ୱାରେ

ତାହାକୁ ଦେଖିଣ ଗଦା ପିଟି ପଲ୍ୟଙ୍କରେ ।

ଗଦାଘାତେ ସେହୁ ଅହି ଅତି ତରଛରେ

କାହିଁ ଯାଇ ପଶିଗଲା ବିବର ଭିତରେ ।

ଅହି ପଳାନ୍ତେଣ ଆମ୍ଭେ ପୁରକୁ ଚଳିଲୁ

ବୁଝିବା ସକାଳୁ ବୋଲି ଛାମୁକୁ ଆସିଲୁ ।

ଶ୍ରୀଗୋବିନ୍ଦ ବୋଇଲେ ଯେ ପ୍ରମାଣ ଏ କଥା

ଗୋତ୍ର ହେଲେ ସର୍ପକୁ ଯେ ନ ରଖୁ ସର୍ବଥା ।

ତୁମ୍ଭର ହୃଦୟ କଥା ଆମ୍ଭଙ୍କୁ ଯେ ଜଣା

ଆନକୁ ଏ ହୃଦକଥା ଅଟଇ ଅଜଣା ।

ଯାହା କରିବେ ସେ ପ୍ରଭୁ ଅବଶ୍ୟ ତା ହେବ

ଯାହା ଯୋଗ ଥିବ ତାହା ରଖି କେ ପାରିବ ।

ଆଜ ମଧ୍ୟ ଏଠାକୁ ଆସିବ ସର୍ପ ଧାଇଁ

ଏଥକୁ ସେ ତାତପର୍ଯ୍ୟେ ଥିବ ତୁମ୍ଭେ ରହି ।

ନିଶାକାଳେ ସେ ଦେଉଛି ଧାଡ଼ି ସବୁଦିନେ

ଏହି କଥା ଜଣା ଆସି ହେଲା ଏତେ ଦିନେ ।

Unknown

ମହାକ୍ଷତ୍ରି ହୋଇ ଆମ୍ଭେ ଡରିବା କାହିଁକି

ଯେ ଯାହାର ଦେହ ବଳ ଶଉର୍ଯ୍ୟ ନାହିଁ କି ।

ପ୍ରଭୁଙ୍କୁ ମେଲାଣି ମାଗି ଚଳିଲେ ଚଞ୍ଚଳେ

ସ୍ନାନ ସାରିଣ ଭୋଜନେ ଗଲେ ତତକାଳେ ।

ବସିଅଛି ଏକାନ୍ତରେ ଦୈତ୍ୟକୁଳ ରାୟେ

ମୁରାସରେ ପାଶେ ମିଳିଲେ ତନୟେ ।

ସକଳ ତନୟମାନେ ଦେଖାକଲେ ଯାଇଁ

କହନ୍ତି ଆଖଡ଼ାଶାଳ କଥା ହୃଷ୍ଟ ହୋଇ ।

ବୋଲନ୍ତି ଶତ୍ରୁକୁ କାଲି ମାରିକରି ଗଲୁ

ଏବେ ନ ମରି ସେ ବସିଅଛନ୍ତି ଦେଖିଲୁ ।

ଏହି କଥାମଛ ଯେବେ ପୁଚ୍ଛ ଅଶୀଳକୁ

ଅଶୀଳ ବୋଲନ୍ତି କିସ କହିବି ରାଜାଙ୍କୁ ।

କେତେ ମାଡ଼ ମାରି ରାତ୍ରେ ଆସିଥିଲୁ ଯାଇଁ

ଦେଖିଲୁ ବସି ଅଛନ୍ତି ଏବେ ବେନିଭାଇ ।

ମୁର ବୋଇଳା ସବୁ ମୁଁ ଜାଣିଛିରେ ବାପ

ବିଷ୍ଣୁଙ୍କୁ ମାରିବା କଥା ଅଟେ ମହାଦର୍ପ ।

ଦିଗବିଜେ କାଳରେ ମୁଁ ତାକୁ ପୋଡ଼ିଥିଲି

ଏବେ ସେ ଜନ୍ମିଲା ଆସି ବଦରିକା ପଲ୍ଲୀ ।

ସେହି ବିଷ୍ଣୁ ବୋଲି ତାକୁ ଆଣିଲଇଁ ଧରି

ପୋଷି ପାଳି ଥୋଇ ଏବେ ନ ପାରିଲି ମାରି ।

ଏବେ ସେ ଦିନକୁ ଦିନ ହୋଇଲେ ସଦାଣ

କି ରୂପେ ମାରି ତାହାକୁ ଘେନି ବେଗେ ପ୍ରାଣ ।

ଅଶୀଳ ବୋଇଲା ସେ ନ ଥିଲେ ନଦୀତୀରେ

ପ୍ରକୃତ ସେକାଶେ ଯାଇଥିଲେ ନଦୀତୀରେ ।

ଆଜ ଏକାକେ ଜଗିଣ ତାଙ୍କ ସଂହାରିବୁ

ଚାରିଦିଗେ ରହି ଆଜ ଘର ପୋଡ଼ିଦେବୁ ।

ତ୍ରିଶୂଳକୁ ବାନ୍ଧି ଦ୍ୱାରେ କିଳିବୁ କବାଟ

ଅମୁହାଁ ଦେଉଳ ପ୍ରାୟ ନ ପାଇବେ ବାଟ ।

ତହୁଁ ବଞ୍ଚିଲେ ମାରିବୁ ବେଢ଼ି ଶସ୍ତ୍ରାଘାତେ

ମୁଦ୍‌ଗର ଗଦା ଆବର କୁନ୍ତ ଅସିପତ୍ରେ ।

ଆମ୍ଭର ମୁଖରୁ ଆଜ ପାରିବ କେ ବର୍ତ୍ତି

ସତର ଲକ୍ଷ ପୁତ୍ର ଯେ ନବଲକ୍ଷ ନାତି ।

ପାହାରିମାନେ ଅଛନ୍ତି ପୁଣ ତହିଁ ଜଗି

ସସ୍ରେ ମତ୍ତଗଜ ପୁଣି ଦ୍ୱାରେ ଛନ୍ତି ଲାଗି ।

ବ୍ରାହ୍ମଣ ବେନିଜନଙ୍କୁ କିମ୍ପା ଏତେ ଡରୁ

ତୋର ଶତ୍ରୁ କ୍ଷୟ ଗଲା ଜାଣ ଆଜଠାରୁ ।

ମୁରଦୈତ୍ୟ ପୁଣି କରେ ଆଉଁଷଇ ନିଶ

ମନେ ପାଞ୍ଚଇ କରିବେ ବିପ୍ର ମୋର କିସ ।

ବୁଝିଲେତ ସୈନ୍ୟବଳ ଆଣି ନାହିଁ କିଛି

ମାଛଙ୍କୁ ପୋଷିଲା ପ୍ରାୟ ଘରେ ମୁଁ ପୋଷିଛି ।

ନିନ୍ଦା ଅପଖ୍ୟାତିକି ଯେ ଡରେ ସିନା ମୁହିଁ

ଗୁପତେ ମରାଉଛି ନ ଜାଣୁ ବୋଲି କେହି ।

ନୋହିଲେ ତ ଆଜଯାଏ ଥାନ୍ତେ ସେ କି ଘରେ।

ଏକା ଗଦାକରେ ପେଷିଦ୍ୟନ୍ତି ଯମପୁରେ ।

କିରୂପେ ମାରିବେ ଏବେ ଅବା ପୁତ୍ର ମୋର।

କାଲିକି ସମସ୍ତ କଥା କରିବା ବିଚାର ।

ଏମନ୍ତେ ସେ ପାଞ୍ଚୁ ପାଞ୍ଚୁ ବୁଡ଼ିଗଲା ବେଳ ।

ଯେ ଯଆହାର ବିଧିମାନ ସାରିଲେ ସକଳ ।

ନିଶବଦ ହ୍ୱନ୍ତେ ଦୈତ୍ୟ ନଗ୍ରୁଁ ଗଲେ ଚଳି।

ଗୁପତେ ଯାଇ ଆଖଡ଼ାଶାଳ ମଧ୍ୟେ ମିଳି ।

ରକ୍ଷାଲୋକଙ୍କୁ ବୋଲନ୍ତି ତୁମ୍ଭେମାନେ ଶୁଣ

ନିର୍ବନ୍ଧରେ ଥାଅ ଜଗି ଚାରି ପାରୁଶେଣ ।

କାଲି କଥା ତୁମ୍ଭେ କେହି ନ ପାରିଲ ଜାଣ

ନଦୀକି ଗଲେ ନୃସିଂହ ବେନି ଭାଇ ପୁଣ ।

ସେ କଥା ଗୋଚର କରି ନ ପାରିଲେ କେହି

ଏବେ ନିଶବଦେ ଜଗିଥାଅ ସର୍ବେ ରହି ।

କରିବା ନାନା ଉପାୟ ପାଞ୍ଚି ଶତ୍ରୁ ନାଶ

ତେବେ ଯାଇ ରଜାମୁଖେ ପାଇବା ପୌରୁଷ ।

ଏହିରୂପେ ପ୍ରହରୀଙ୍କୁ କହେ ମହୀକର୍ଣ୍ଣ

ଶୁଣି ରକ୍ଷାଲୋକମାନେ ଜଗିଲେ ବହନ ।

ଏଥୁଅନନ୍ତରେ ବାଣୀ ଶୁଣ ହେ ନାରଦ

ନିଶ୍ଚିନ୍ତେ ପଲ୍ୟଙ୍କେ ଶୋଇଥିଲେ ସେ ଗୋବିନ୍ଦ।

ଅସୁର ଆସିବା କତା ଜାଣ ଜଗଜ୍ଜ୍ୟୋତି

ଉଠାଇ ଶେଷଦେବଙ୍କୁ ବସିଲେ ତଡ଼ତି ।

ବୋଇଲେ ଏଠାରେ ଆମ୍ଭେ ଥିବାରେ କି କାର୍ଯ୍ୟ

ଏତେ ପାଞ୍ଚିଣ ପଦାକୁ ଗଲେ ଦେବରାଜ ।

ଗରୁଡ଼କୁ ବୋଇଲେ ହେ ଶୁଣ ପକ୍ଷୀବର

ସବୁ ଅବତାରେ ଅଟୁ ତୁ ବାହନ ମୋର ।

ଏଣୁ ବୋଲନ୍ତି ତୋହର ନାମ ବିଷ୍ଣୁରଥ

ସେ ରଥରେ ବସି ଏକା ପାରେ ଜଗନ୍ନାଥ ।

ମୋହର ଦେହ ଲାଗନ୍ତେ ନିର୍ମଳ ତୋ ଦେହୀ

ତୋହର ଜନମ ମଧ୍ୟ ଜାଣେ ସର୍ବ ମୁହିଁ ।

ସହସ୍ର ବରଷ ଯାଏ ଡିମ୍ବରୂପେ ଥିଲୁ

ଜ୍ଞାନରେ ହେତୁ ରଖିଣ ପ୍ରକାଶ ତୁ ହେଲୁ ।

ସେ ଡିମ୍ବ କୋଷରୁ ଜନ୍ମି ବହିଲୁ ଯେ ମୋତେ

ମୋର ଆଗେ ରହି ସେବା କଲୁ ଦିବା ରାତ୍ରେ ।

ତୋହର ମୋହର ମଧ୍ୟେ ଭୋଗଲାଗି ହେଲେ

ଲୋକମାନଙ୍କୁ ନିର୍ମାଲ୍ୟ ହୁଏ ସେବାକଲେ ।

ସୁବର୍ଣ୍ଣ ପଦ୍ମ ପତ୍ରେ ତୁ କଲୁ ଜ୍ଞାନ ପାନ

ତେଣୁ ନାମ ତୋହରଟି ହୋଇଲା ସୁପର୍ଣ୍ଣ ।

ତୋହର ଭାଇ ଅରୁଣ ସୂର୍ଯ୍ୟରଥେ ଗମେ

ପଞ୍ଚାଶକୋଟି ଯୁଣ ଯେ ସଂସାରରେ ଭ୍ରମେ ।

ସେହିରୂପେ ପିଠିରେ ତୁ ଥାଉ ମୋତେ ବହି

ମାତା ଛଳେ ଜନକଙ୍କୁ ଖୋଜିଲୁ ତୁ ଯାଇ ।

ଗଜ କଚ୍ଛପକୁ ପୁଣି ଲକ୍ଷେ ବର୍ଷ ଯାଏ

ଉଡ଼ିଲୁ ଧରିଣ ଗୋଡ଼ ମହାଶୂନ୍ୟମୟେ ।

ତୋର ଯେଉଁ ଭାରା ଗଜ କଚ୍ଛପର ଭାରା

ଯହିଁରେ ବସୁ ବହି ନ ପାରେ ବସୁନ୍ଧରା ।

ଚିନ୍ତନେ ମନରେ ଭୟ କରି ମୋତେ ତୁହି

ଶ୍ରୀଅଙ୍ଗରୁ ଭୁଜ କାଢ଼ି ପ୍ରକାଶ କଲଇଁ ।

ସେ ଭୁଜପରେ ବସିଲୁ ତୁହି ଦୃଢ଼େ ମାଡ଼ି

ଗଜ କଚ୍ଛପ ଦୁହିଁଙ୍କୁ ଧରିଥିଲୁ ଭିଡ଼ି ।

ଭୁଜରେ ବସିଲୁ ମୋର ଲକ୍ଷେବର୍ଷ ଯାଏ

ଭୁଞ୍ଜିଲୁ ସୁଖେ ବସିଣ ଗଜ କଚ୍ଛ କାୟେ ।

ତାହାଙ୍କୁ ଭକ୍ଷିଣ ତୁହି ସଂସାର ରଖିଲୁ

ସେହିଦିନୁ ସେବି ମୋତେ ପାରୁଶେ ରହିଲୁ ।

ଏବେ ମୁହିଁ ଜନ୍ମ ହୋଇ ପଡ଼େ ଦୈତ୍ୟହାତେ

ଏଥିରୁ କିପରି ପାରି କରା ବେଗେ ମୋତେ ।

ଆଖଡ଼ାଶାଳକୁ ଯେବେ ଆସିଛନ୍ତି ଦୈତ୍ୟ

ଏକା ମାଡ଼େକ ହୁଅନ୍ତୁ ସର୍ବେ ପ୍ରାଣେ ହତ ।

ପାଚେରୀ ଘର ଦୁଆର ସବୁ ଟାଳି ନିଅ

ବଡ଼ ବାନଳେ ସବୁଙ୍କୁ ପୋଡ଼ି ଦହି ଦିଅ ।

ଯେତେକ ଦଇତ୍ୟ ଏଥେ ଜଗିଥାନ୍ତି ଆସି

ମୁରର ମାହୁନ୍ତ ଗଜ ଯେତେ ନାତି ଶିଷି ।

ସମସ୍ତଙ୍କୁ ମାରି ଅବଧି ମଧ୍ୟେ ପକା ନେଇ

ଗୋଟିଏ ଉବୁରି ଏଥୁ ନ ଯାନ୍ତୁ ଯେ କେହି ।

ଆମ୍ଭେ ନଦୀତୀରେ ଜାଣ ରହିଅଛୁ ଏକା

ମାରିଣ ସାରିଲେ ମଶି ଯିବାଟି ବଦ୍ରିକା ।

ଗରୁଡ଼ ବୋଇଲେ ସ୍ୱାମୀ ଆଜ୍ଞା ପରମାଣେ

ସମୁଦ୍ର ଶୋଷ ବୋଇଲେ ଶୋଷିବି ତକ୍ଷଣେ ।

ଆଜଯାଏ ନ କହିଲ ଏହା କାହିଁପାଇଁ

ପଢ଼ାଉଥିଲ ଯେ ପାଠ ବେଠି ପ୍ରାୟ ହୋଇ ।

ଅସୁର ଛାରର ବୋଲେ କିପାଁ ରହିଥିଲ

ଏପରି ମୂର୍ଖ ସ୍ଥାନକୁ କାହିଁକି ଆସିଲ ।

ବେନି ବରଷ ରହିଲ ଏଥେ କାଳ କାଟି

ବିଷ୍ଣୁ ଅପରାଧୀ ମରେ ତିନି ବରଷେଟି ।

ଆସିଲା ଦିନରୁ ଆଜ୍ଞା ପାଇଥାନ୍ତି ଯେବେ

ଏତେ ଦିନଯାଏ କିମ୍ପା ଥାଆନ୍ତେ ଦାନବେ ।

ଏହି ରୂପେ ବୋଲି ପକ୍ଷୀ ଲୁଚିରହେ ଘରେ

ଶ୍ରୀନୃସିଂହ ବିଜେ କଲେ ଯାଇ ନଦୀତୀରେ ।

ଏଥୁ ଅନନ୍ତରେ ପୁଣି ଦୈତ୍ୟମାନେ ଆସି

ଲାଛିଲେ ଯେ ଅଗ୍ନି ଆଣି ଆଖଡ଼ାରେ ପଶି ।

ଜଳିଲା ସେ ହୁତାଶନ ଶୂନ୍ୟେଯାଏ ଚଢ଼ି

ଭିତରେ ଥାଇଣ ପକ୍ଷୀ ଛାଡ଼େ ଘୋରରଡ଼ି ।

ସେ ରଡ଼ି ଶୁଣିଣ ଦୈତ୍ୟ ମାନେ ଶ୍ରଦ୍ଧାହେଲେ

ଶତ୍ରୁ ମଲା ବୋଲି ହରିବୋଲ ନାଦ କଲେ ।

ହରିବୋଲ ଶୁଣିଣ ଗରୁଡ଼ ଘୁମୁରଇ

କୁହାଟିଣ ରଡ଼ି ଘର ଭିତରେ ଛାଡ଼ଇ ।

ଦରପୋଡ଼ା କାଠ ଧରି ଫିଙ୍ଗେ ଚାରିଆଡ଼େ

ଦୈତ୍ୟ ନ ପଶନ୍ତି ଯେ ଆଖଡ଼ାଶାଳ ଗଡ଼େ ।

ଗୃହ ଚାରିଆଡ଼େ ଦୈତ୍ୟ ବେଢ଼ିଛନ୍ତି ରହି

ମାଛି ଗଳିବାକୁ ବାଟ ନ ପାଇବ ତହିଁ ।

ଅଗ୍ନିକୁଣ୍ଡେ ଥାଇ ପକ୍ଷୀ ଡାକିଲେ କୁହାଟି

ବୋଲେ ଅକାରଣ ପୋଡ଼ି ଦେଲୁ ପୁରଗୋଟି ।

ତୁମ୍ଭର କେଉଁ ବଇରୀ ଥିଲୁ ଆମ୍ଭେ ହୋଇ

ତୁମ୍ଭେ ପୋଡ଼ିଲେ ଅଗ୍ନି କି ପାରେମୋତେ ଖାଇ।

ପୋଡ଼ୁଥିଲେ ସୁବର୍ଣ୍ଣର କଳଙ୍କ ଛାଡ଼ଇ

ସେହିରୂପ ମୋର ଅଙ୍ଗ ଅଗ୍ନିକି ଅଟଇ ।

ସର୍ପର ଅଙ୍ଗର କାତି ଛାଡ଼ଇ ଯେସନେ

ଛଡ଼ାଇ ଦିଅ ମୋ ଅଙ୍ଗୁ କଳଙ୍କ ତେସନେ ।

ଏ ରୂପେ ବୋଲିଣ ପକ୍ଷୀ ଗରଜନ କଲା

ଲକ୍ଷେ ଯୋଜନ ପର୍ଯ୍ୟନ୍ତେ କାୟା ବିସ୍ତାରିଲା ।

ହୁଂକାର ନାଦରେ ଉଠି ଉଡ଼ନ୍ତେ ଶୂନ୍ୟରେ

ପୃଥିବୀ ଯେ ଦଲ ଦଲ କମ୍ପେ ପାଦଭରେ ।

ଧନ୍ୟ ସେହୁ ପକ୍ଷୀରାଜ ବିନତାର ସୁତ

ପଞ୍ଚାଶ ଯୁଣ ପର୍ଯ୍ୟନ୍ତ ବିସ୍ତାରିଲା ହାତ ।

କୋଟିଏ ଯୋଜନଯାଏ ଅଟେ ଯାର ଥଣ୍ଟ

ସହସ୍ରଯୁଣ ବିସ୍ତାରି ଦେଲା ପିଠି ପେଟ ।

ବେନି ସହସ୍ର ଯୁଣଯାଏ ଲମ୍ବାଇଲା ହୃଦ

ତିନି ସସ୍ର ଯୁଣଯାଏ ଲମ୍ବାଇଲା ପାଦ ।

ଚାରିସହସ୍ର ଯୁଣ ଯେ ଅଟେ ମୁଖରେଖା

କ୍ଷଣକରେ ଘୋଟିପାରେ ବ୍ରହ୍ମାଣ୍ଡକୁ ଏକା ।

ମହା ବତାସ ପରାୟେ ପଡ଼େ ଶୂନ୍ୟୁ ଖସି

ପବନ ଯେ ଅଣଚାଶ ଡେଣାରୁ ପ୍ରକାଶି ।

ମେରୁ ପର୍ବତ ପରାୟେ ଆସେ ଶୂନ୍ୟୁ ଉଡ଼ି

ତାହା ଦେଖି ଦୈତଙ୍କର ଧୈର୍ଯ୍ୟଗଲା ଛାଡ଼ି ।

ପକ୍ଷୀରାଜ ଗରୁଡ଼ର ଦେଖି ବିଶ୍ୱମୂର୍ତ୍ତି

ଆବର ଗଗ ଯାକ ଦେଖି ତାର ଜ୍ୟୋତି ।

ମୁରର ତନୟମାନେ ହେଲେ ଚମତ୍କାର

ନାରାଚମାନ ଧରିଣ ବିନ୍ଧିଲେ ତତ୍ପର ।

ମହୀକର୍ଣ୍ଣ ମୂଳେ ଯେ ସତରଲକ୍ଷ ଭାଇ

ବିନ୍ଧିଲେ ଗରୁଡ଼ ପଛେ ନାନାଶର ନେଇ ।

ଶର ବାଜନ୍ତେଣ ପକ୍ଷୀ ହସ୍ତେ ଦେଲା ପୋଛି

ବୋଇଲା ଯୁଦ୍ଧ କଲେ କି କାର୍ଯ୍ୟଏଥେ ଅଛି ।

ରାତ୍ର ପାହିଗଲେ ସିନା ଚହଳ ହୋଇବ

ଜାଣିଲେ ତ ମୃରାସୁର ଯୁଦ୍ଧେ ବାହାରିବ

ନୃସିଂହ କହିବା କଥା ଆଗ କରିବଇଁ

ଏତେ ପାଞ୍ଚି ବିଶ୍ୱରୂପ ପ୍ରକାଶିଲା ସେହି ।

ଦୈତଙ୍କ ପରେ ପିଟିଲା ଖଗ ବେନି ନେଇ

ନିଜ ଅଙ୍ଗୁ ଅଣଚାଶ ପବନ ବହଇ ।

ବଜ୍ର ପଡ଼ିଲା ପରାଏ ପିଟେ ବେନ ଡେଣା

କେ କାହିଁ ପଡ଼ିଣ ମଲେ ତାହା ନୋହେ ଜଣା ।

ଭାଙ୍ଗଇ କାହାର ଅଣ୍ଟା ଛିଣ୍ଡିପଡ଼େ ମୁଁଣ୍ଡ

କାହାର ଗୋଡ଼ ଛିଣ୍ଡଇ ହୋଇ ଖଣ୍ଡ ଖଣ୍ଡ ।

ଆଖଡ଼ାଶାଳ ପାଖରେ ଯେତେ ଦୈତ୍ୟ ଥିଲେ

ସମସ୍ତେ ମାଡ଼ ପାଇଣ ପବନେ ଉଡ଼ିଲେ ।

ତୃଣ ପ୍ରାୟ ଉଡ଼ି ଅବ୍‌ଧି ମଧ୍ୟେ ଗଲେ ପଡ଼ି

ସମୁଦ୍ର ପାଖରେ କିଏ ପଡ଼େ ମୁଖମାଡ଼ି ।

ପାହାରିଗଣ ତହିଁଟି ଯେତେ ଥିଲେ ଜଗି

ମାହୁନ୍ତ ଗଜ ପ୍ରଭୃତି ହେଲେ ପ୍ରାଣତ୍ୟାଗୀ ।

ଥଣ୍ଟରେ ବୁକୁ ବିଦାରି ପକାଇଲା ଚିରି

ପକ୍ଷର ଚୋପୋଡ଼ା ଘାତେ ସର୍ବ ପଡ଼ି ମରି ।

ଆଖଡ଼ାଶାଳଯାକଟି ହେଲା ନାରଖାର

ଗୋଟିଏ ଉବୁରି ତହିଁ ନଗଲେ ଅସୁର ।

ସବୁଙ୍କୁ ଯାଇ ଥଣ୍ଟରେ ଧରେ ରୁଣ୍ଡିଆଇ

ଆକାଶକୁ ଉଠିଗଲା ବିଶ୍ୱମୂର୍ତ୍ତି ହୋଇ ।

ଶୂନ୍ୟେ ଉଡ଼ି ଉଡ଼ି ତାଙ୍କୁ ଜଲେ ଦେଲା ମାଡ଼ି

ଅଗାଧ ଜଳରେ ପଡ଼ି ସର୍ବେ ଗଲେ ବୁଡ଼ି ।

ଏରୂପେ ମାରିଣ ପକ୍ଷୀ କୂଳେ ଉଭା ହୋନ୍ତେ

ସମୁଦ୍ର ମଧ୍ୟୁ ବାହାରି ଆସେ ଏକ ଦୈତ୍ୟେ ।

ରାଜାର ଜ୍ୟେଷ୍ଠପୁତ୍ର ଯେ ଅଟେ ମହୀକର୍ଣ୍ଣ

ବାହାରି ଆସି କୂଳରେ ମିଳେ ଯାତୁଧାନ ।

ପଦାରେ ଉଭା ହୋଇଣ ଛାଡ଼େ ଘୋର ରଡ଼ି

ଗରୁଡ଼ ଉପରେ ଆଣି ମାରେ ବଜ୍ରବାଡ଼ି ।

ପକ୍ଷୀବର ଦେଖିକରି ପକ୍ଷ ଆଡ଼ କରେ

ବଜ୍ରବାଡ଼ି ପ୍ରହାରନ୍ତେ ଭାଙ୍ଗିଯାଏ ଖରେ ।

ପୁନରପି ମହୀକର୍ଣ୍ଣ ପିଟେ ଗଦା ତୋଳି

ବାଜିଣ ପକ୍ଷୀ ଅଙ୍ଗରେ ହୋଇଗଲା ଧୂଳି ।

ସେ ଗଦା ବାଜନ୍ତେ ଦୈତ୍ୟ ଶୂନ୍ୟହସ୍ତ ହେଲା

ଈଶ୍ୱର ଦେବା ମନ୍ତ୍ରକୁ ସୁମରଣା କଲା ।

ମନ୍ତ୍ର ସୁମରନ୍ତେ ବେଗେ ଆସିଲାକ ଶର

ବୋଇଲାକ ମହୀକର୍ଣ୍ଣ ମଲୁ ପକ୍ଷୀବର ।

ସତର ଲକ୍ଷ ଭାଇଙ୍କୁ ଆଜି ତୁ ମାଇଲୁ

ନବଲକ୍ଷ ପୁତୁରାଙ୍କ ପ୍ରାଣନାଶ କଲୁ ।

ଏମାନେ ହାତରେ ଶର ଧରି ଯେବେ ଥାନ୍ତେ

ତୋ ବାପ କରନ୍ତା ନିଶ୍ଚେ ଦଶକ୍ରିୟା ତୋତେ ।

ମେରୁଗିରି ଟଳିବାକୁ କ୍ଷମତା ଯାହାର

ନିଶସ୍ତ୍ର ଥିବାରୁ ତାଙ୍କୁ ବଧିଲୁ ପାମର ।

ବୁଝିଲେ ଅଟନ୍ତି ରାଜପୁତ୍ରେ ବାଳବତ୍ସି

ତାହାଙ୍କୁ କେଉଁ ରୂପରେ ଯିବି ମୁହିଁ ମୁର୍ଚ୍ଛି ।

ତୁ ଅବା ମୋତେ ମାର ମୁଁ ଅବା ତୋତେ ମାରେ ବିହି ଲେଖିଅଛି ଏହି କଥା କପାଳରେ ।

ଅଶୀଳ ସେନାପତି ଯେ ଗଲା ମଧ୍ୟ ମରି

ମୁଁ ଥାଇ କରିବି କିସ ଏବେ ଦେହ ଧରି ।

ଏ ରୂପେ କହି ପେଷିଲା ବେଗେ ନାଗଫାଶ

ବୋଇଲା ପକ୍ଷୀକୁ ଯାଇ ବାନ୍ଧିକରି ଆସ ।

ସେ ପକ୍ଷୀର ମୁଣ୍ଡ ହାଣି ରାଜାପାଶେ ଯିବି

ଶତ୍ରୁ ମରିଲେବୋଲି ତା ଅଗ୍ରେ ଜଣାଇବି ।

ଏ ରୂପେ ବୋଲି ସେ ପେଶିଦ୍ୟନ୍ତି ନାଗଫାଶ

ଚଳିଗଲା ଅହିଶର ବ୍ୟାପି ଦଶଦିଶ ।

ମହୀକର୍ଣ୍ଣ ବୋଲେ ଶୂନ୍ୟେ ଆସନ୍ତେ ସେ ମାଡ଼ି

ଦେଖିକରି ଗରୁଡ଼କୁ ପଳାଇଲେ ଛାଡ଼ି ।

ବିବର ଖୋଜି ପଶିଲେ ଯାଇ ପାତାଳରେ

ତାହା ଦେଖି ମହୀକର୍ଣ୍ଣ କମ୍ପେ ଥରହରେ ।

ବୋଇଲା ମେଣ୍ଟିଲା କେଡ଼େ ଶର ପକ୍ଷୀ ଛାର

ମୋଠାରୁ ଅଟଇ କେଡ଼େ ଏହୁ ଅଜ୍ରାମର ।

ମୋର ମୃତ୍ୟୁଭେଦ ନାହିଁ କାହାକୁତ ଜଣା

ମୋ ତହୁ ଅଟଇ ବଡ଼ ଏ କି ଅକଳଣା ।

ଏ ରୂପେ ବୋଲି ଦଇତ୍ୟ ପର୍ବତାସ୍ତ୍ର ଧରି।

ଗରୁଡ଼ର ଉପରକୁ ବିନ୍ଧେ କୋପ କରି ।

ଖଗେଶ୍ୱର ଅଙ୍ଗେ ବାଜି ନଗ ଗଲା ଭାଜି

ତାହା ଦେଖି ମହୀକର୍ଣ୍ଣ ଉଠିଲା ଗରଜି ।

ବେନିକରେ ଶୂଳ ଧରି ପିଟନ୍ତେ ତ୍ୱରିତ ।

ମାଡ଼ ନ ବାଜୁ ସେ ପକ୍ଷୀ ଗଲା ଲକ୍ଷେହାତ ।

ଲେଉଟି ସେ ବୁଲିପଡ଼ି ଆଗେ ହେଲା ଉଭା

ଖତାଇ ହୋଇଣ ପୁଣି ହଲାଇଲା ଗ୍ରୀବା ।

 

 

କହେ ସେ ହେଉଣ୍ଡିମାରି ହସି ଟହ ଟହ।

ଭାଇ ମଲେ ବୋଲି ଯାଇ ବାପ ଆଗେ କହ ।

ସତରଲକ୍ଷ କୁମର ନବଲକ୍ଷ ନାତି।

ଏହାଙ୍କୁ ମାରିଲେ ଏକ ଗୁରୁତ୍ମାନ ଯତି ।

ଏରୂପେ ପିତାଙ୍କୁ କହ ଯାଇ ବେଗେ ତୋର

ଶୁଣିତ ମହୀକର୍ଣ୍ଣର କମ୍ପେ ଜାନୁ ଶିର ।

ବୋଇଲା ହାତେ ମୋହର ଧନୁ ଧରିଥିଲେ

ତୁ ଛାର ମାରନ୍ତୁ ଲକ୍ଷେ ଗରୁଡ଼ କି ହେଲେ ।

ନିଶସ୍ତ୍ର ହୋଇଣ ଆମ୍ଭେ ସମସ୍ତେ ଥିବାରୁ

ପବନେ ଉଡ଼ାଇ ଜଳେ ପକାଇଲେ ମେରୁ ।

ଏଥର ମୋଠାରୁ ବଞ୍ଚିଗଲେ ଦେହ ଧରି

ଗରୁଡ଼ ନାମ ବହିବୁ ତେବେ ଯୁଗ ଚାରି ।

ଏତେକ ବୋଲି ହୁଂକାର ଉଠିଲା ସେ ଯୋଦ୍ଧା

କୋଟିଏ ସହସ୍ର ଭାର ଧରି ହସ୍ତେ ଗଦା ।

ସେ ଗଦା ଧରିଣ ପକ୍ଷୀ ପରେ ଦେଲା ପିଟି

ଗଦା ବାଜନ୍ତେଣ ପକ୍ଷୀ ହସଇ କୁହାଟି ।

ପୁଣିହିଁ ପିଟିଲା କୁନ୍ତ ଯଷ୍ଟି ହୃଦେ ଆଣି

ଦୁହାଜ ସାବେଳି ଖଣ୍ଡା ଧରି ପୁଣି ହାଣି ।

ସତରଲକ୍ଷ ଆବର ଆଠଲକ୍ଷ କରି

ଚାରିଯୁଗ ସାର ଶର ବିନ୍ଧି ଲାକ ଧରି ।

ଚାରି ଯୁଗରେ ନାରାଚ ସଦାକାଳେ ସମ

ଚିହ୍ନି ବାନ୍ଧିପାରିବାଟି ଅଟେ କ୍ଷତ୍ରୀ ଧର୍ମ ।

ବଡ଼ଲୋକଙ୍କୁ ମାଇଲେ ଜାଣ ବଡ଼ ଶରେ

ତାହାକୁ ନ କରେ ନିନ୍ଦା କେହି ତିନିପୁରେ ।

ନୀଚ ଲୋକକୁ ଯଦ୍ୟପି ବ୍ରହ୍ମଶକ୍ତି ମାରି।

ସଭାରେ ତାହାକୁ ଜାଣ ସର୍ବେ ନିନ୍ଦାକରି ।

ଗରୁ ପକ୍ଷୀ ବୋଲି ସେହୁ କରିଣ ବିଚାର

ମନ୍ତ୍ରପଢି କରି ବିନ୍ଧି ଦେଲା ବ୍ରହ୍ମଶର ।

ପଡ଼ନ୍ତେ ସେ ଶର ଆସି ଗରୁଡ଼ ଉପରେ

ବିନତାନନ୍ଦନ ତାହା ପୋଛିଲା ହାତରେ ।

ଗରୁଡ଼ ବୋଇଲା ଆରେ ମାରୁ କିନା ତୁହି

ବଜ୍ରଠାରୁ ବଳି ଶକ୍ତି ଅଟେ ମୋର ଦେହୀ ।

ମୋହର ଜନମକାଳେ ଧାତା ଯେତେବେଳେ

ଅଢାଇ ଅକ୍ଷର ଲେଖି ବସନ୍ତି କପାଳେ ।

ମୁହିଁ ବୋଇଲି ଶୁଣିମା ହେଉ ପିତାମହ

ମହାବଜ୍ର କରିଣ ଯେ ରଖିବା ମୋ ଦେହ ।

ଏକଘନୀ ବ୍ରହ୍ମଶକ୍ତି ବଜ୍ରଶକ୍ତି ଯାଏ

ଏମାନେ ପଡ଼ିଲେ ମୋର ନ କାଟିବେ କାୟେ ।

ବାଜିଲେ ଆବର ଶରଯାକ ଦେବି ପୋଛି

ଶୁଣିଣ ହେଉ ବୋଲିଣ ଗଲେ ବିଷ୍ଣୁ ବତ୍ସି ।

ଶୁଣ ଆରେ ମହୀକର୍ଣ୍ଣ କହୁଅଛି ମୁହିଁ।

ତୁହି ମାରିବାରୁ ଦେହ ହୁଏ କୁଣ୍ଡିଆଇ ।

ତୁ ମାଡ଼ମାରିବୁ କେତେ ହେବୁ ମାତ୍ର ଲାଣ୍ଡ।

ଅଙ୍ଗେ ବାଜି ଦେହ ମୋର ହେବ ଜାଣ କଣ୍ଡୁ ।

ଆହୁରି ଥିବ ଯେତେକ ବିନ୍ଧ ବେଗେ ବାଣ

ତହିଁ ଉତ୍ତାରୁ ମୁଁ ଯାଇ ଘେନିବି ତୋ ପ୍ରାଣ ।

ଶୁଣିଣ ସେ ମହୀକର୍ଣ୍ଣ ବୋଇଲାକ ନିଷ୍ଠା

ଅଦୋଷେ ଭାଇଙ୍କୁ ମୋର ମାଇଲୁ ପାପିଷ୍ଠ ।

ଏ କଥାରେ ଧର୍ମ ତୋତେ ସହିବ କି ଜାଣ

ଆମ୍ଭେତ ତୋହର ଶତ୍ରୁ ନୋହିଥିଲୁ ପୁଣ ।

ଶୁଣିଣ ଗରୁଡ଼ ବୋଲେ ତୁମ୍ଭେ କେଡ଼େ ଧର୍ମୀ

ଶ୍ରୀଗୁରୁ କରି ରଖିଲ ଘରେ ଅନ୍ତର୍ଯ୍ୟାମୀ ।

ତୁମ୍ଭର କି ଶତ୍ରୁ ଯେ ନୃସିଂହ ବେନିଭାଇ

ତାଙ୍କୁ ଘରେ ରଖି ଅଗ୍ନି ଦେଲରେ ଲଗାଇ ।

ବିଦ୍ୟାଗୁରୁ କରି ରଖିଥିଲ ଘରେ ଆଣି

ଚାରିପାଖେ ରହି ଘର ପୋଡ଼ିଦେଇ ପୁଣି ।

ତୁମ୍ଭେ ନ ମରନ୍ତ ଆଉ ମରନ୍ତା କେହୁରେ

ଏହିରୂପଟିରେ ଧର୍ମ ଜଗିଛି ସଂସାରରେ ।

ବଡ଼ପଣେ ମାରନ୍ତି ଯେ ନିର୍ବଳ ଲୋକଙ୍କୁ

ନାରାୟଣ ବିନାଶନ୍ତି ତାହାର ଦର୍ପକୁ ।

ବଳବନ୍ତର ଗାରିମା ସେ ଭାଙ୍ଗି ଦିଅନ୍ତି

ଏହି କଥ ମାନ ପ୍ରାଣୀ ହେଜି ନ ପାରନ୍ତି ।

ଗୁରୁହତ୍ୟା ବ୍ରହ୍ମହତ୍ୟା ବେନା ଦୋଷ କଲ

ଏହି ଦୋଷରୁ ତୁମ୍ଭେରେ ଅପଲକେ ମଲ ।

ତୁହି ମଲେ ଏବେ ମୁର ଅପୁତ୍ରିକ ହେବ

ଷୋଡ଼ଶ କର୍ମକୁ ଆଉ ଗୋଟିଏ ନ ଥିବ ।

ଜଳ ଦେବା ଲୋକ ଆଗେ ହେବ ଅନ୍ତର୍ହିତ

ମରିବ ନ ଚାହିଁ ପୁତ୍ର ମୁଖ ମୁର ଦୈତ୍ୟ ।

ଏ ରୂପେ ବୋଲିଣ ହୁଂ କାରକୁ ଟେକି

ମହୀକର୍ଣ୍ଣକୁ ଧଇଲା ଯାଇ ଥଣ୍ଟେ ଯାକି ।

ମେରୁ ପର୍ବତରେ ତାକୁ ଛେଚିଲା ଯେ ନେଇ

ତହିଁରେ ନୋହିଲା କିଛି ବାଧା ଦୈତ୍ୟ ଦେହୀ ।

ପୁଣିହିଁ ଗରୁଡ଼ ଗଳା ଧରି ତାକୁ ଉଡ଼ି

ଉଦୟଗିରି ପର୍ବତେ ପିଟିଲା କଚାଡ଼ି ।

କମ୍ପିଲା ସେ ଗିରିବର ପୃଥ୍ୱୀ ଗଲା କମ୍ପି

ତେବେ ହେଁ ସେ ଦୈତ୍ୟପଡ଼ି ନମଲା କଦାପି ।

ତା ଦେଖିଣ ଖଗେଶ୍ୱର ମହାକୋପ କଲା

ବିନ୍ଧ୍ୟଗିରି ଉପରେ ସେ ନେଇ କଚାଡ଼ିଲା ।

ପର୍ବତ ଉପରେ ଯାଇ ପଡ଼ନ୍ତେ ଅସୁର

ଦେହକୁ ଆଉଁଶି ଉଠି ହସେ କରକର ।

ତା ଦେଖି ଗରୁଡ଼ କରେ ମୋଡ଼ିଲା ଯେ ନିଶ

ଦୈତ୍ୟକୁ ଧରିଣ ପୁଣି ଉଠିଲା ଆକାଶ ।

କୁଣ୍ଡଳଗିରି ଉପରେ ଛେଚିଲାକ ନେଇ

ଦୈତଅଙ୍ଗ ବାଜି ଗିରି ଗଲା ଧୂଳି ହୋଇ ।

ତେଡ଼େଛେଚାରେ ନୋହିଲା ଦୈତ୍ୟ ଯହୁଁ ନାଶ

ପୁଣିହିଁ ଗରୁଡ଼ ଧରି ଉଠିଲା ଆକାଶ ।

ହିମାଳୟ ପରବତେ ଛେଛିଦେଲା ନେଇ

ଟହ ଟହ ହସି ଦୈତ୍ୟ ଦେହ ଆଉଁଶଇ ।

ତାହା ଦେଖି ପକ୍ଷୀରାଜ କୋପାନଳ ହେଲା

ଆଣ୍ଟେ ଧରି ଭିଡ଼ି ଗନ୍ଧମାର୍ଦ୍ଦନକୁ ଗଲା ।

ତହିଁରେ ଛେଚନ୍ତେତାର ନୋହେଁଲୋମବଙ୍କା

ଦେଖି ତାହା ପକ୍ଷୀବର ମନେକଲା ଶଙ୍କା ।

ପାଞ୍ଚିଲା କି ରୂପେ ହେବ ଏହି ଦୈତ୍ୟନାଶ

ୟାକୁ ଛାଡ଼ିଲେ ହସିବେ ପୁଣି ହୃଷିକେଶ ।

ବୋଲିବେ ଦୈତ୍ୟକୁ ତୁରେ ନ ପାରିଲୁ ମାରି

ନିଶି ପାହିଗଲେ ଆମ୍ଭେ ଯିବାଟି କି ପରି ।

ଏହା ବୋଇଲେତ ଲଜ୍ଜା ପାଇବିନା ମୁହିଁ

ଏତେ ପାଞ୍ଚି ଧରି ତାକୁ ଶୂନ୍ୟେ ଉଡ଼ିଯାଇ ।

ଆକାଶ ଉପରେ ରହି ଚାହିଁ ଚଉଦିଗେ

ଦେଖିଲାକ ଲୋକାଲୋକ ଗିରି ଅଛି ଆଗେ ।

ନିର୍ଘାତ ଛେଚନ୍ତେ ତହିଁ ନେଇ ବାହୁବଳେ

ତହିଁ ନ ମରି ପଡ଼ିଲା ଆସି ଖସି ତଳେ ।

ତା ଦେଖି ଗରୁଡ଼ ପୁଣି ବସିଲାକ ମାଡ଼ି

ପ୍ରହାର କଲାକ ପଦେ ବେନି ଖଗ ଭିଡ଼ି ।

ଚାପୁଡ଼ା କହୁଣି ଖୁନ୍ଦା ବିଧା ମୁଖୀ ମାରି

ବୁକୁରେ ସେ ମାଡ଼ିବସି ନକେ ବୁକୁ ଚିରି ।

ଗର୍ଜି ପୁଣି ପକ୍ଷୀବର ତାହାକୁ ଧଇଲା

ଶୂନ୍ୟମାର୍ଗେ ଲକ୍ଷେ ଯଣ ଦୂରକୁ ଫିଙ୍ଗିଲା ।

ନିର୍ଘାତ ପ୍ରାୟେ ଭୂମିରେ ଦୈତ୍ୟ ଆସି ପଡ଼ି

ହସେ ଟହ ଟହ ହୋଇ ହସ୍ତେ ନିଶମୋଡ଼ି ।

ବୋଲଇ ତୁ ଛେଚି ଛେଚି ମୋତେ କି କରିବୁ

ତୁହି ମୋତେ କଦାପିରେ ମାରି ନ ପାରିବୁ ।

ଏହା କହି ଗରୁଡ଼ ଯେ ମନେ କ୍ଷୋଭ ପାଇ

ବୋଇଲା ମୁଁ ଛାଡ଼ିଦେବି ପଳାଉ ଯେ ଏହି ।

ଏ ରୂପେ ମାରୁ ମାରୁ ନ ମଲା ଯେବେ ଏହୁ

ଅମର ହୋଇଣ ଏହୁ ମଞ୍ଚେ ରହିଥାଉ ।

ଏ ରୂପେ ବୋଲନ୍ତେ ପକ୍ଷୀରାଜ ଭାଳି ମନେ

ସ୍ୱର୍ଗପୁରେ ଦେବେ ଡ଼ାକ ଦେଲେ ଥାଇ ଶୂନ୍ୟେ ।

ଆହେ ପକ୍ଷୀରାଜ ତୁହି ଶୁଣ ଆମ୍ଭ ବାଣୀ

ନୃସିଂହ କହିଅଛନ୍ତି ଯାହା ତୋତେ ପୁଣି ।

ମାଇଲୁ ମୁରର ପୁତ୍ରଯାକ ଆଜ୍ଞା ପାଳି

ଏହାକୁ ଛାଡ଼ିଦେଲେ ନ ରହେ ମହୀସ୍ଥଳୀ ।

ଏ ଦୈତ୍ୟର ମୃତ୍ୟୁଭେଦ କହୁଅଛି ଶୁଣ

ଏହାକୁ ଯେ ଶିବ ବର ଦେଇଛନ୍ତି ଜାଣ ।

ଦୈତ୍ୟଭାଲପଟେ ଯେବେ ମାରିବୁ ତୁ ଥଣ୍ଟ

ତେବେ ଯାଇ ମହୀକର୍ଣ୍ଣ ହେବ ପ୍ରାଣେନଷ୍ଟ ।

ଏଥର ତୋହର ହସ୍ତେ ମୃତ୍ୟୁ ହୋଇ ଯିବ

ଲେଉଟି ଏ ଆରଜନ୍ମେ ବୈଲୋଚନ ହେବ ।

ମାଳତୀ ରୂପେ ଏହାକୁ ମାରିବେକ ହରି

ଲେଉଟି ଜନ୍ମିବ ତ୍ରେତାଯୁଗେ ମଞ୍ଚପୁରୀ ।

ରାବଣେଶ୍ୱରର ପୁତ୍ର ହେବ ଇନ୍ଦ୍ରଜିତ

ସରିଯିବ ସେହିଠାରୁ ତାର ଜନ୍ମକୃତ୍ୟ ।

ଶରୀର ଛେଚୁଥିଲେ ନମରେ କେତେବେଳେ

ଏ ରୂପେ ବର ଦେଇଣ ଅଛନ୍ତି ସୁଢଳେ ।

ଶୁଣିଣ ଗରୁଡ଼ ତାକୁ କଲା ଧନ୍ୟ ଧନ୍ୟ

ବୋଇଲା ଭଲା ବର ରେ ଦେଲେ ପଞ୍ଚାନନ ।

ଏତେ ବୋଲି ଗର୍ଜି ପକ୍ଷୀ ବସିଲାକ ମାଡ଼ି

ମାଇଲା କପାଳେ ଥଣ୍ଟ ଅତ୍ୟନ୍ତରେ ଭିଡ଼ି ।

ଥଣ୍ଟବାଜି ବେନିଫାଳ ହୋଇଗଲା ଫାଟି

ଦୈତକୁ ଧରିଣ ସିନ୍ଧୁ ଜଳେ ଦେଇ ଛାଟି ।

ଏ ରୂପେ ଗରୁଡ଼ ହାତେ ମହୀକର୍ଣ୍ଣ ମଲା

ବଡ଼ବା ଅନଳେ ପଡ଼ି ଦହର୍ଯ୍ୟ ହୋଇଲା ।

ପାହାରୀ ସୈନ୍ୟଙ୍କୁ ଘେନି ଗଜ ବାଜି ଆଦି

ସବୁଙ୍କୁ ସମୁଦ୍ରେ ନେଇ ପକ୍ଷୀ ଦେଲା ମର୍ଦ୍ଦି ।

ଯୁଦ୍ଧ କରୁ କରୁ ତିନି ପ୍ରହର ଯେ ରାତି

ଶୁଣନ୍ତି ନାରଦ ଋଷି ବିଧାତା କହନ୍ତି ।

ମୁରର ଯେ ପୁତ୍ରଯାକ ମାରି ଖଗେଶ୍ୱର

ନୃସିଂହ ଛାମୁରେ ଯାଇ ମିଳିଲା ତତ୍ପର ।

ନୃସିଂହ ବୋଇଲେ ଧନ୍ୟ ଧନ୍ୟ ପକ୍ଷୀରାଜ

ତୋହର ଘେନି କରିବି ମୁହିଁ ଦେବ କାର୍ଯ୍ୟ ।

ନାଶିବି ମୁଁ ଦୈତ୍ୟବଳ ମାରିବଇଁ ମୁର

ନିଶି ନ ପାହୁଣ ଚାଲ ଯିବା ଆମ୍ଭପୁର ।

ଏ ରୂପେ ବୋଲି ଗରୁଡ଼େ କଲେ ପ୍ରଭୁ ବିଜେ

ଚଳିଲେ ଭାଇଙ୍କି ଘେନି ସଙ୍ଗେ ଦେବରାଜେ ।

ବଦରିକା ଆଶ୍ରମରେ ପ୍ରବେଶିଲେ ଯାଇଁ

ଉଠିଲେ ଗରୁଡ଼ କନ୍ଧୁ ନୃସିଂହ ଦ୍ୱିଭାଇ ।

ମାୟାମୂର୍ତ୍ତିଯାକ ପୁଣି ଦେହେ ଗୋପ୍ୟ କଲେ

ବିଶ୍ୱକର୍ମାକୁ ଛାମୁକୁ ପୁଣି ଅଣାଇଲେ ।

ନୃସିଂହ ବୋଇଲେ ଶୁଣ ଆହେ ବିଶ୍ୱକର୍ମା

ତୋତେ ଜଣା ଆମ୍ଭର ଯେ ସବୁ କୀର୍ତ୍ତିସୀମା ।

ଦେବଙ୍କ ହିତେ ଆମର ଜନ୍ମ ସିନା ଏଥେ

ହେଲି ମୁହିଁ ଅବତାର ମୁରଦୈତ୍ୟ ଅର୍ଥେ ।

ଦେବଙ୍କର କଲାଣି ତ ଜାଣ ସବୁ ନାଶ

ପ୍ରାଣୀଙ୍କି ତିନିପୁରେ ନ ଦେଲା କାହିଁ ବାସ ।

ମୋର ଜନ୍ମ ପୁଣି ଶୁଣି ଘେନିଗଲା ମୋତେ

ଆଖଡ଼ାଶାଳେ ରଖିଲା ନେଇ ଦିନାକେତେ ।

କପଟେ ପୁତ୍ରଙ୍କୁ ତାର ପଢାଏ ଯେ ପାଠ

କହିଲି ଗୁରୁମାରଣ ବିଦ୍ୟା ତାଙ୍କୁ ନଷ୍ଟ ।

ସେହି ଅଧର୍ମରୁ ତାର ଗଲେ ପୁତ୍ର ନାଶ

ତୋତେ ଏ କଥାଟି ଜଣା ହୋଇଛି ସର୍ବସ୍ୱ ।

ତେଣୁଟି ତେତେ ଚିନ୍ତିଲୁ ଆମ୍ଭେ ଏହିଲାଗେ

ଦଣ୍ଡକ ଭିତରେ ଗଡ଼ ନିର୍ଭାକର ବେଗେ ।

ମୃରାସୁର ଦୈତବଳ ଦେବ ଯେବେ ପେଷି

ଦେଖିଲେ ଗଡ଼କୁ ମୋର ନ ପାରିବେ ପଶି ।

ଏଗାର ଯୂଣ ପାଚେରୀ ଥିବୁ ଉଚ୍ଚ କରି।

ଆସିବା ଦୈତ୍ୟ ପଳାଉଥିବେ ଦେଖି ଡ଼ରି ।

ପଞ୍ଚାଶ ଯୁଣ ବିସ୍ତାର ଗଡ଼ ଗର୍ଭ ହେବ

ଅଚିନ୍ତା ହୋଇ ରହିବେ ଯାଇ ସର୍ବେ ଠାବ ।

ଦୋମୁହିଁ ଯେ ଆଡ଼ମୁହିଁ ପୁଣି ଲଙ୍କମୁହିଁ

ଦେଖିଲେ ପୁଚ୍ଛିବେ ଅନ୍ୟଲୋକ ବଣା ହୋଇ ।

କନ୍ଦି ବିକନ୍ଦି କରିବୁ ମାର୍ଗେ ମଞ୍ଚ ଭାଡ଼ି

କରୁଣା କାହୁରା ମେଲା ଗୁରୁଜ ଯେ କାଢ଼ି ।

ଓହଳା ଅଗମ୍ୟ ଆଡ଼ବାଙ୍କ ଗୁଡ଼ା ଆଟୁ

ଧାଉଡ଼ି ମେଲା ଜାଳିନ୍ଦ୍ର ଭଣ୍ଡ ଭୁଆ କାଟୁ ।

ଏ ରୂପେ ଉଚ୍ଚ ପାଚେରୀ ଚାରିବେଢ଼ କର

ମାହୁନ୍ତ ରଥି ପଦାତି ରହିବେ ପ୍ରଚୁର ।

ସଙ୍ଗତେ ବିନ୍ଧାଣିଗଣ ଅୟୁତେକ ଘେନି

ବହଳେ ଯୋଜନ କରି ରଖି ଚାରିଖାନୀ ।

ଅଛନ୍ତି ମୋହର ପାରିଷାଦ ପୁଣି ଯେତେ

ବିଷ୍ଣୁର ପୁତ୍ରେ ଯେ ବିଜେ କରନ୍ତୁଟି ନିତ୍ୟେ ।

ଅଠର ପଦ୍ମ ଯେ ମେଘ ବାତ ସଙ୍ଗେ ଥିବେ

ମେରୁ ପଶ୍ଚିମ ଭାଗରୁ ସ୍ୱର୍ଣ୍ଣ ଆଣିଦେବେ ।

ଭିତରେ ରୂପା ବାହାରେ ଥିବ ସୁନା ବେଢ଼

ବିଚିତ୍ର ଚିତ୍ର କରିଣ ନିର୍ମାଣିବ ବାଡ଼ ।

ଦେଖିବା ମାତ୍ରକେ ଲୋକେ ହେବେ ଚମତ୍କାର

ଶତ୍ରୁଙ୍କୁ ସେ ଦିଶୁଥିବ ମହାଭୟଙ୍କର ।

ଦଣ୍ଡକ ମଧ୍ୟରେ ଏହା ନିର୍ମାଣି ତୁ ଦେବୁ

ରାତ୍ର ନ ପାହୁ ତୋହର ନଗ୍ରକୁ ତୁ ଯିବୁ ।

ବଦରିକା ଲୋକଯାକ ଶୋଇଛନ୍ତି ନିଦେ

କରିବୁ ଷାଠିଏ ଲିତା ମଧ୍ୟେ ଗଡ଼ ଉଦେ ।

ପୁଣି ବିଶ୍ୱକର୍ମା ସେହି ଆଜ୍ଞା ପରମାଣେ

ଗଡ଼କୁ ନିର୍ମାଣ କରି ଦେଲାକ ତକ୍ଷଣେ ।

ନୃସିଂହ ଆଜ୍ଞାକୁ ଶତେଗୁଣ କଲା ଉଚ୍ଚ

ଦିଶିଲା କ୍ଷୀର ବୈକୁଣ୍ଠ ପ୍ରାୟ ମହାତେଜ ।

ତିନିପୁରରେ ଅଛନ୍ତି ଯେତେ ଦେବ ଦେହୀ

ଚିତ୍ରରେ ସେ ସବୁରୂପେ ନିର୍ମାଣିଲା ତହିଁ ।

ନୃସିଂହ ପ୍ରଭୁଙ୍କ ବାକ୍ୟେ ସର୍ବେଠୁଳ ହେଲେ।

ହୁଅନ୍ତେ ତା ବିଶ୍ୱକର୍ମା ପ୍ରଭା ପ୍ରକାଶିଲେ ।

ବଦ୍ରିକା ନଗ୍ରେ ଅଛନ୍ତି ଯେତେ ଜନ ପୁରି।

ସବୁରି ଚିତ୍ର ଦିଶିଲା ହୋଇ ବାରି ବାରି ।

ଯେ ଯାହାର ରୂପମାନ ଘରବାଡ଼ି ସ୍ଥାପି

ବଦ୍ରିକାନଗ୍ରରେ ଥିଲେ ଲୋକ ଯେତେ ବ୍ୟାପି ।

ପ୍ରଥମରେ ଲକ୍ଷ୍ମୀଙ୍କର ଅଙ୍ଗ ନିର୍ଭା କଲା।

ଶ୍ରୀନୃସିଂହ ସ୍ୱାମୀଙ୍କର କୋଳେ ବସାଇଲା ।

ଶେଷଦେବଙ୍କର କୋଳେ ଈଳାଦେବୀ ସ୍ଥାପି।

ଚୌଷଠି ସହସ୍ର କନ୍ୟା ଲେଖିଲାକ କଳ୍ପି ।

ଯାହାର ଯେ ରୂପେ ଚିତ୍ର ବସାଇଲା ବାଡ଼େ।

ଝଟକି ଦିଶଇ ରୂପ ଖଣ୍ଡଦୂରୁ କେଡ଼େ ।

କୃଷ୍ଣବଲ୍ଲଭର ରୂପ ଭଗବତୀ ରୂପ।

ବାଡ଼ରେ ଚିତ୍ର କରିଣ ଲେଖି ବିଶ୍ୱକଳ୍ପ ।

ତହିଁ ଉତ୍ତାରୁ ଗରୁଡ଼ ରୂପ ପୁଣି ଲେଖି।

ଲେଖିଲା ଶ୍ରୀନୃସିଂହଙ୍କ ଅଷ୍ଟଗୋଟି ସଖୀ ।

ସୁଜାଣ ମନ୍ତ୍ରୀକି ଆଦି ଘେନି ଯେତେ ଜନ

ସବୁରି ଚିତ୍ରକୁ ସେହି କରିଲା ଲେଖନ ।

ଏ ରୂପେ ଗଡ଼ର ବାଡ଼ ନିର୍ମାଣ କରିଣ

ବିଜେ କଲା ନିଜପୁରେ ମେଲାଣି ଘେନିଣ ।

ଶୁଣ ହେ ନାରଦ କହୁଛନ୍ତି ବେଦବର

ଶ୍ରୀନୃସିଂହ ପୁରାଣ ଏ ଅଟେ ଅଗୋଚର ।

ଏଥି ଉତ୍ତାରେ ହୋଇଲା ରାତ୍ର ଆସି ଶେଷ।

ନୃସିଂହ ଶରଣ ବିପ୍ର ପୀତାମ୍ବର ଦାସ ।

ଶ୍ରୀ ନୃସିଂହଙ୍କର ସଭା ଓ ଦେବଗଣଙ୍କର ପ୍ରବେଶ

ମଗଧେ ଯେ ଶଙ୍ଖଧ୍ୱନୀ କଲେ ଦେବ ଆଳେ

ପଣ୍ଡିତ ପଢନ୍ତି ସ୍ତୁତି ସ୍ତୋତ୍ର ପ୍ରାତଃକାଳେ ।

ସଭାରେ ନୃସିଂହ ବେନି ଭାଇ କଲେ ବିଜେ

ଭେଟିଲା ସୁଜାଣ ମନ୍ତ୍ରୀ ଆସି ଦେବରାଜେ ।

ବଦରିକା ନଗରରେ ଯେତେ ଜନ ଥିଲେ

ଗରୁଡ଼ଙ୍କୁ ଦେଖି ସର୍ବେ ଆନନ୍ଦିତ ହେଲେ ।

ନିଜ ନିଜ ରୂପମାନ ଚିତ୍ରବାଡ଼େ ଦେଖି

କୁହାକୁହି ହେଉଛନ୍ତି ନ ପିଛାଡ଼ି ଆଖି ।

ବୋଲୁଛନ୍ତି ଧନ୍ୟ ଧନ୍ୟ ଶ୍ରୀନୃସିଂହ ସ୍ୱାମୀ

କେଡ଼େ ଗଡ଼ ପ୍ରକାଶିଲେ ପ୍ରଭୁ ଏହି ଭୂମି ।

ରାତ୍ରିକ ମଧ୍ୟେ କେ ଏହା ଦେଲା ଜାଣ ସୁଜି

କୋଟିଏ ତପ କଲେ ନ ପାଇ ଯାହା ଭଜି ।

ଭଲା ଏ ଗଡ଼ ସୃଜିଲେ ଶ୍ରୀନୃସିଂହନାଥ

ଦେହଧାରୀ ହୋଇ କେତେ ଦେଖିଲେ ଯେ ଏଥ ।

ଏ ଗରୁଡ଼ ପକ୍ଷୀରାଜ ଅଟେ କେଡ଼େ ଭକ୍ତ

ରହିଛି ନୃସିଂହ ସେବା କରି ଅବିରତ ।

ପୁରାଣେ ଗରୁଡ଼ ନାମ ଥିଲୁ ସିନା ଶୁଣି

ଏବେ ଅବିରତେ ତାହା ଦେଖୁଥାଇ ପୁଣି ।

ଧନ୍ୟ ଏ ପକ୍ଷୀଙ୍କ ରାଜା ଅଟନ୍ତି ଗରୁଡ଼େ

ଏପରି ହୋଇଛି ଲେଖା ମଧ୍ୟ ଗଡ଼ବାଡ଼େ ।

ଏସନ ବୋଲିଣ ଲୋକେ ହୋଇ କୁହାକୁହି

ଗରୁଡ଼କୁ ଦେଖି ସର୍ବେ ଦାଣ୍ଡେ ଛନ୍ତି ଧାଇଁ ।

ଆବର ଯେ ଚଉଷଠି ସସ୍ର ନାୟିକାଏ

ହସନ୍ତି ବାଡ଼ କାନ୍ଥରେ ଦେଖି ଅପ୍ରମୟେ ।

ବୋଲନ୍ତି ଯେ ଶ୍ରୀନୃସିଂହ ପ୍ରଭୁ ପୂଣ୍ୟଶ୍ଳୋକ

ଏକା ରାତ୍ରକରେ ନିର୍ଭା କଲେ ଗଡ଼ଯାକ ।

ଆମ୍ଭ ସ୍ୱରୂପ ସାକ୍ଷାତେ ଅଛନ୍ତି ଏ ଲେଖି

ଦିଶନ୍ତି ପ୍ରତିମା ହୋଇ ଚିତ୍ରେ ସର୍ବ ସଖୀ ।

ଆବର ତେତିଶକୋଟି ଦେବ ଥିଲେ ଯେତେ

ସମସ୍ତ ଚିତ୍ରରେ ବସିଛନ୍ତି ଗଡ଼କାନ୍ଥେ ।

ସଂସାରେ ଛପନକୋଟି ଛନ୍ତି ଯେତେ ଜୀବେ

ଚିତ୍ର ରୂପେ ବସିଛନ୍ତି ଦେଖ ବାଡ଼େ ସର୍ବେ ।

ବ୍ରହ୍ମା ବିଷ୍ଣୁ ଈଶ୍ୱର ଯେ ଦଶଦିଗପାଳେ

ବସିଛନ୍ତି ଯେ ଯାହାର ପତ୍ନୀ ଘେନି କୋଳେ ।

ଯେତେକ ଜନ ଅଛନ୍ତି ତିନିପୁରେ ପୂରି

ଚିତ୍ରରେ ଦେଖ ଦିଶନ୍ତି ସର୍ବ ବାରି ବାରି ।

ଆବର ଅଠାଶୀସସ୍ର ଋଷିଗଣ ଯେତେ

ଦିଶନ୍ତି ତପସ୍ୟା କଲା ପ୍ରାୟ ତପୋବନ୍ତେ ।

ଏ ରୂପେ ଦେଖି ଧାଇଁଲେ ଶ୍ରୀନୃସିଂହ ପାଶେ

ବୋଇଲେକ କେତେ କିର୍ତ୍ତି କଲ ଜଗଦୀଶେ ।

ଆଜଯାଏ ଆମ୍ଭେ ଦେଖି ନ ଥିଲୁ ଯେ ଡୋଳେ

ଶୟନେ ସ୍ୱପନେ ଦେଖି ନାହୁଁ ନିଦ୍ରାକାଳେ ।

ଏହିକଥା ପୁରାଣରେ କେବେ ନାହୁଁ ଶୁଣି

ସୁପଣ୍ଡିତ ଏହି କଥା ନାହାନ୍ତି ବଖାଣି ।

ଅଦ୍ୟାପି ବଦ୍ରିକାରେ ନ ଥିଲୁ ଦେଖି ଯାହା

କେତେ ରୂପରେ ସ୍ଥାପିଲେ ଏହା ଚଉବାହା ।

ଧନ୍ୟ ଧନ୍ୟ ନୃସିଂହ ଏ ଅବତାର ବାଣୀ

ତୁମ୍ଭର ଜନ୍ମଦିନରୁ ସୁଖୀହେଲେ ପ୍ରାଣୀ ।

ଦିଶନ୍ତି ଯୁବତୀମାନେ ଦେବସ୍ତିରୀ ପ୍ରାୟେ

ଦିଶୁଛନ୍ତି ସାକ୍ଷାତରେ ନର କାମମୟେ ।

କାମଧେନୁ କ୍ଷୀରପ୍ରାୟ ଧେନୁଙ୍କ ଅଙ୍ଗରୁ

ମନରେ ଯେତେ କଳ୍ପିବ ବହେ ତେତେ ଚିରୁ ।

ତୁମ୍ଭର ଆଜ୍ଞା ପ୍ରାମାଣେ ବଦରିକା ଲୋକେ

ତାହାଙ୍କର କ୍ଷୀର ଦୁହିଁ ଭୁଞ୍ଜୁଥାନ୍ତି ଥୋକେ ।

ପୂର୍ବରୁ ଦ୍ୱିଗୁଣ ହୋଇ କୃଷି ଉପୁଜଇ

କରନ୍ତି ପ୍ରଜାଏ ଭୋଗ ତାହା ସୁଖ ପାଇ ।

ସୁଖେ ବଣିଜ କରନ୍ତି ବହୁ ଧନ ମିଳେ

ପାଟଳ କୁଳଙ୍କୁ ଭୋଗ ସ୍ୱର୍ଗଠାରୁ ବଳେ ।

ରାଉତ ରଥି ପଦାତି ସେନାଦଳ ଯେତେ

ଆବର ଅଛନ୍ତି ଗଜ ଅଶ୍ୱ ଅପ୍ରମିତେ ।

ଲକ୍ଷକୋଟି ଭଣ୍ଡାରରୁ ନିତ୍ୟ ସଦାବର୍ତ୍ତ

ନ ସରଇ ଯେତେ ବ୍ୟୟ ହୁଏ ଅପ୍ରମିତ ।

ବୋଲନ୍ତି ମାନବ ବିଷ୍ଣୁ ବୋଲି ମୂର୍ଖ ଜନେ

କେ ଅନ୍ତ ପାଇବ ଚିନ୍ତି ସେ ମହିମା ଧ୍ୟାନେ

ଜନ୍ମକାଳୁ ଆମ୍ଭେ ଦେଖିଅଛୁ ଯାହା ରହି

ବେଳକୁ ବେଳ ଅଧିକ ଗଡ଼ ପ୍ରକାଶଇ ।

ଅପୂର୍ବ ଗଡ଼ ସୃଜିଲେ କରି ଅତି ଦୃଢ଼

ସୁବର୍ଣ୍ଣମୟ ସେ ପୁର ଦିଶେ ଚାରି ବେଢ଼ ।

ଏ ଗଡ଼ରେ କେତେ ଦ୍ରବ୍ୟ ଅଛି ଅନ୍ତ ନାହିଁ

ବହିନେଲେ ପୁରିଅଛି ଦେଲେ ନ ସରଇ ।

ତୁମ୍ଭ ପ୍ରଭା ଲାଗି ଦିଶେ ସମସ୍ତ ସୁନ୍ଦର

ବାଳବୃଦ୍ଧ ଦିଶୁଛନ୍ତି ଯୁବା ପରକାର ।

କରୁଛନ୍ତି ଦେବେ ସ୍ୱର୍ଗେ ଯେତେଯେତେ ଭାଗ

ତହୁଁ ଶତେଗୁଣ ବଳି ବଦରିକା ସ୍ୱର୍ଗ ।

ଏତେ ବୋଲି ଚଉଶଠି ସହସ୍ର ନାୟିକା

ନୃସିଂହ ପାଦରେ ନମି ଗଲେ ବଦରିକା ।

ଯେ ଯାହା ପୁରରେ ଯାଇ ହେଲେ ପରବଶ

ସଭାରେ ଯେ ବିଜେ କରିଛନ୍ତି ଜଗଦୀଶ ।

ମହାବଳୀ ଗରୁଡ଼ ଯେ ଶ୍ରୀ ଛାମୁରେ ବସେ

ସୁଜାଣ ମନ୍ତ୍ରୀ ବସନ୍ତି ଜଗଦୀଶ ପାଶେ ।

ବୋଲନ୍ତି ହେ ମନ୍ତ୍ରୀ ତୋତେ କହିବା ଯା ଶୁଣ

ଆମ୍ଭର ବାହନ ଅଟେ ଏହୁ ପକ୍ଷୀ ଜାଣ ।

ମୋତେ ଏ ବହିଥାଏ ମୁଁ ବହେ ବ୍ରହ୍ମାଣ୍ଡକୁ

ମୋ କହିବା କଥା ଜଣା ନୁହଅଇ କାହାକୁ ।

ସବୁ ଜୀବ ଦେହରେ ମୁଁ ରହେ ରାତ୍ର ଦିନ

ଆତ୍ମା କୁଶଳେ ବର୍ତ୍ତନ୍ତି ତେଣୁ ସର୍ବଜନ ।

ମୋହର ଜୀବନ ଏହୁ ମୁହିଁ ପ୍ରାଣ ତାର

ଷଡ଼ ଯତି ମଧ୍ୟେ ଏହୁ ଅଟେ ଖଗେଶ୍ୱର ।

ମୁହିଁ ବହିଥାଇ ଏହି ସଂସାରକୁ ମୁଣ୍ଡେ

ମୋତେ ବହି ବୁଲେ ଏହୁ ଅଶେଷ ବ୍ରହ୍ମାଣ୍ଡେ ।

ମୋ କହିବା କଥା ନାହିଁ କାହାକୁ ତ ଜଣା

ଅଟନ୍ତି ଜୀବ ପରମ ବିଷ୍ଣୁ ଅକଳଣା ।

ଗରୁଡ଼ ଗୋବିନ୍ଦ ବେନି ଅଟନ୍ତି ଯେ ଏକ

ଏକ ବୋଲି ନ ପାରନ୍ତି ଚିହ୍ନି କେଉଁ ଲୋକ ।

ଏ କଥାକୁ ଏକ ବୋଲି ଯେ ପାରନ୍ତି ଚିହ୍ନି

ତାହାକୁଟି ସୁପଣ୍ଡିତ ବୋଲି ମହାଜ୍ଞାନୀ ।

ଶୁଣନ୍ତି ସୁଜାଣ ମନ୍ତ୍ରୀ କହନ୍ତି ମୋହନ

ଯେ ଚିହ୍ନି ପାରନ୍ତି ତାକୁ ବୋଲି ସୁଜ୍ଞଜନ ।

ଗରୁଡ଼ ଅଟଇ ଜୀବ ମୁଁ ପରମ ବ୍ରହ୍ମ

ତେଣୁ ଯେ ପରମାନନ୍ଦ ଅଟେ ମୋର ନାମ ।

ଗରୁଡ଼ ଜୀବର ଆତ୍ମା ମୁହିଁ ପରମଟି

ମୋତେ ସେହୁ ବହେ ମୁହିଁ ବହେ ନବସୃଷ୍ଟି ।

ନବ ସୃଷ୍ଟି ବୋଇଲେ ସେ ନବଦ୍ୱାର କହି

ପୁଚ୍ଛିଲେ ଦଶଦ୍ୱାର କେ ନପାରେ ବତାଇ ।

ଦଶଦ୍ୱାର ମୁଖପଦ୍ମେ ପ୍ରକାଶଇ ଶବ୍ଦ

ସେହିଟି ଅଟଇ ଜାଣ ଗରୁଡ଼ ଗୋବିନ୍ଦ ।

ଗରୁଡ଼ ଉପରେ ବସି ମୁଁ ଟେକେ ହକାର

ସକାରେ ବିହାର କରି ଆସେ ତତପର ।

ହକାର ସକାର କ୍ଷରେ ଶବଦ ପ୍ରକଟେ

ଗରୁଡ଼ ଉପରେ ବସି ଚାଲଇ ତ୍ରିକୂଟେ ।

ଶୁଣନ୍ତି ସୁଜାଣ ମନ୍ତ୍ରୀ କହନ୍ତି ଯେ ବ୍ରହ୍ମା

ଏ ରୂପେ ଗରୁଡ଼ ହରି ଜାଣ ଏକ ଆତ୍ମା ।

ସବୁରୀ ଦେହରେ ଜୀବ ପରମ ଯେ ଥାନ୍ତି

ସଂସାର ମୁଣ୍ଡାଇ ଚାଲି ଶବ୍ଦ ପ୍ରକାଶନ୍ତି ।

ଶୁଣିକରି ମନ୍ତ୍ରୀ ବର ଚାହେଁ ଚା ନୃସିଂହଙ୍କୁ

ସଂସାର ସଙ୍ଗ ମୁଣ୍ଡେ ସେ ଦେଖିଲା ଆତ୍ମାକୁ ।

ବୋଇଲା ସବୁରି ଦେହେ ଅଛନ୍ତି ଏ ରୂପେ

ଯାହା ଚିହ୍ନି ନ ପାରଇ କେହି ପ୍ରାଣିୀ ଆପେ ।

ଭଲା ଯେ ମହିମା ଏହି ନୃସିଂହ ଖଗର

ସବୁରି ଦେହେ ରହି ବହେ କଳେବର ।

ନୃସିଂହ ବୋଲନ୍ତି ମନ୍ତ୍ରୀ ଦେଖ ଗରୁଡ଼କୁ

ଏହୁ ବହିବାର ମାରେ ମୁଁ ଦୈତ୍ୟ ଯାକଙ୍କୁ ।

ଶୁଣିଣ ମନ୍ତ୍ରୀ ଲେଉଟି ପୁଣି ଦେଲା ଚାହିଁ

ଗରୁଡ଼ ଉପରେ ବସିଛନ୍ତି ଭାବଗ୍ରାହୀ ।

ଦେଖିଲେ ସେ ଶଙ୍ଖ ଚକ୍ର ଗଦା ପଦ୍ମ ଧରି

ଗରୁଡ଼ ବାହାନେ ପ୍ରଭୁ ଛନ୍ତି ବିଜେ କରି ।

ଲେଉଟି ପ୍ରଭୁଙ୍କୁ ମନ୍ତ୍ରୀ ଚାହିଁଲା ନିରେଖି

ଦେଖିଲା ଆସନେ ବସିଛନ୍ତି ପଦ୍ମଆଖି ।

ତରାଟିଣ ଗରୁଡ଼ଟି ପୁଣି ସେ ଚାହାନ୍ତେ

ତାହାର ପିଠିରେ ବସିଛନ୍ତି ଲକ୍ଷ୍ମୀକାନ୍ତେ ।

ରତ୍ନପାଦୁକାରେ ପାଦ ଦେଇଥିଲେ ହରି

ସେ ପାଦ ଚିହ୍ନାଇ ଦେଲେ ମୋତେ ଗୁପ୍ତକରି ।

ଦେଖିଲି ଗରୁଡ଼ ପରେ ଶଙ୍ଖ ଚକ୍ର ଜ୍ୟୋତି

ପ୍ରତ୍ୟକ୍ଷେ ଏ ବୈନତେୟ ଅଟେ ବିଶ୍ୱମୂର୍ତ୍ତି ।

ଜୀବ ପରମ ସବୁରି ହୃଦେ ଅଟେ ସତ୍ୟ

ପ୍ରାଣୀଙ୍କୁ ଅଜଣା ଏହି ଅଟେ ମହାଗୁପ୍ତ ।

ଅବଶ୍ୟ ତାରିବେ ଭବଜଳୁ ମୋତେ ହରି

ବସିଲା ଏତେ ପାଞ୍ଚି ସେ ପାଦ ଚିହ୍ନି କରି ।

ସଭାରେ କରନ୍ତି ବିପ୍ରମାନେ ବେଦଧ୍ୱନୀ

ଏଥୁଅନ୍ତେ ମିଳିଲେକ ଆସି ସର୍ବମୁନି ।

ଚତୁର୍ଦ୍ଦଶ ଭୁବନରେ ଛନ୍ତି ଯେତେ ଋଷି

ଶ୍ରୀନୃସିଂହ ଦର୍ଶନକୁ ମିଳିଲେକ ଆସି ।

ବଶିଷ୍ଠ ସନକ ବିଶ୍ୱାମିତ୍ର ବେଦବ୍ୟାସ

ଅଗସ୍ତି ଯେ ମାର୍କଣ୍ଡେୟ ହୋଇଲେ ପ୍ରବେଶ ।

କପିଳ ଭାର୍ଗବ ବିଭାଣ୍ଡକ ଭରଦ୍ୱାଜ

ବିଶ୍ରବା ଶକ୍ତି ମୁନି ଯେ କପିଳ ଅଗ୍ରଜ ।

ବିଭାଣ୍ଡକ ବାଲମୀକ ନାରଦ ଗୌତମ

ସନକ ସନତ ଶରଭଙ୍ଗ ସନାତନ ।

ଗାର୍ଗବ ଦୁର୍ବାସା ଆଉ ମରୀଚ ଯେ ମୁନି

ପୁଲହ ତୁମ୍ଭର ଆଷ୍ଟାବକ୍ର ଯମଦଗ୍ନି ।

ଆସୁରି ଲୋମାଞ୍ଚ ପଞ୍ଚଶିଖ ବଟ ଋଷି

ମାଣ୍ଡବ୍ୟ ଯେ ପରାଶର ଗୋମତ ତପସ୍ୱୀ ।

ମେଷ କଞ୍ଚକ କୋକିଳ ଆଦି ମହାମୁନି

ବୈଶମ୍ପାୟନ ସହିତ ମିଳିଲେ ଯେ ଜ୍ଞାନୀ ।

ବ୍ରହ୍ମଋଷି ଦେବଋଷି ରାଜଋଷି ଯେତେ

ନୃସିଂହଙ୍କ ଦର୍ଶନକୁ ଆସିଲେ ସମସ୍ତେ ।

ଆସିଲେ ବୃଷଭପରେ ଚଢି ସଦାଶିବ

ପୀର୍ବତୀଙ୍କ କୋଳେ ଧରିଛନ୍ତି ମହାଦେବ ।

ଭ୍ରୁକୁଟି ଯେ ନନ୍ଦ ନାମ ଡାହାଣେ ଅଛନ୍ତି

ଚାଲନ୍ତି କାର୍ତ୍ତିକ ଆଗ ପଛେ ଗଣପତି ।

ରହିଛନ୍ତି ଚାରିପାଖେ ଶିବଗଣ ବେଢ଼ି

ଏ ରୂପେ ବିଜେ କଲେ ବୃଷପୃଷ୍ଠେ ଚଢ଼ି ।

ଖବର ପାଇଣ ଇନ୍ଦ୍ର ଆସିଲେ ତକ୍ଷଣେ

ଐରାବତ ହସ୍ତୀ ଚଢି ଅଛନ୍ତି ଆପଣ ।

ଦଶଦିଗପାଳେ ଯେ ତେତିଶକୋଟି ଦେବ

ନବଗ୍ରହ ସଙ୍ଗେ ଘେନି ଆସିଲେ ବାସବ

ଆବର ଯେ ବିଦ୍ୟାଧର କିନ୍ନରଙ୍କ ମେଳେ

ବଦରିକାରେ ମିଳିଲେ ଯାଇ ଆଖଣ୍ଡଳେ ।

ଖବର ପାଇଣ ବ୍ରହ୍ମା ଆସିଲେ ତତ୍ପର

ହଂସ ବାହନରେ ଆସିଛନ୍ତି ବେଦବର ।

ଚଉଷଠି ସହସ୍ର ସେ ବିପ୍ର ସଙ୍ଗେ ଘେନି

ମିଳିଲେ ବଦ୍ରିକା ଦେଶେ ଯାଇ ପଦ୍ମଯୋନି ।

ବ୍ରହ୍ମା ରୁଦ୍ର ଇନ୍ଦ୍ର ଋଷି ଦେବବୃନ୍ଦ ଦେଖି

ଆସନ ତେଜିଣ ଉଭା ହେଲେ ପଦ୍ମଆଖି ।

ଶ୍ରୀନୃସିଂହ ବେନିଭାଇ ହ୍ୱନ୍ତେ ପାଦେ ଉଭା

ଐରାବତକୁ ତେଜିଣ ଉଠିଲେ ମଘବା ।

ଉଠିଲେ ହଂସ ବାହନ ତେଜି ପଦ୍ମଯୋନି

ବୃଷଭ ତେଜି ଉଠିଲେ ପ୍ରଭୁ ଶୂଳପାଣି ।

ବରୁଣ ମଗର ଯାନ ତେଜି ଉଭା ହେଲେ

ମୃଗ ବାହନ ତେଜିଣ ବାୟୁ ବିଜେ କଲେ ।

ମେଷ ବାହନ ତେଜିଣ ଅଗ୍ନୀ ଦେବ ଉଠି

ଶମନ ତେଜ୍ୟ କଲେକ ମହିଷର ପିଠି ।

କୁବେର ଉଠିଲେ ନର ବାହନକୁ ଛାଡ଼ି

ସର୍ବେ ସ୍ତୁତିଲେ ନୃସିଂହ ପଦ୍ମପାଏ ପଡ଼ି ।

ଏ ବିଧି ଆସନମାନ ତେଜି ଦେବତାଏ

ଭୂମିରେ ଉଭା ହୋଇଲେ ଭେଟି ଦେବରାୟେ ।

ନୃସିଂହ ବେନିଭାଇଙ୍କ ପାଦପଦ୍ମେ ନମି

ଈଶ୍ୱର ପାଦରେ ପୁଣି ହୋଇଲେ ପ୍ରଣମି ।

ନମିଲେ ଋଷିମାନଙ୍କ ପାଦେ ଅପ୍ରମିତ

ଦେବ ଅନୁରୂପେ କଲେ ସେ ମାନନାକୃତ୍ୟ ।

ଶ୍ରୀବୃଷ୍ଣଙ୍କ ପାଦପଦ୍ମେ ବହୁ ସ୍ତୁତି କଲେ

ଚରଣର ଧୂଳି ନେଇ ଦେହେ ବୋଳିହେଲେ ।

ଦର୍ଶନ କରିଣ ସ୍ତୁତି କରୁ ବିପ୍ରମାନେ

ଋଷିଏ କଲ୍ୟାଣ କଲେ ଶ୍ରୀହରି କିର୍ତ୍ତନେ ।

ଈଶ୍ୱର ସନ୍ତୁଷ୍ଟ ହୋଇ ଆଶୀର୍ବାଦ କଲେ

ବ୍ରହ୍ମା କଲ୍ୟାଣ କରିଣ ପାଦେ ଅର୍ଘ୍ୟ ଦେଲେ ।

ସୁଧର୍ମା ସଭାକୁ ଦେଲେ ଇଦ୍ରଦେବ ଆଣି

ସ୍ଥାପିଲେ ବଦ୍ରିକାଶ୍ରମେ ତାହା କୁଶପାଣି ।

ବିନତା କୁମରକୁ ଶ୍ରୀବ୍ରହ୍ମା ରୁଦ୍ର ଦେଖି

କରନ୍ତି ଶ୍ରୀବିଷ୍ଣୁ ପୂଜା ଶୁଦ୍ଧ କରି ଆଷି ।

ବଦ୍ରିକାଶ୍ରମେ ସ୍ଥାପି ସୁଧର୍ମା ସଭା ଗୋଟି

ନୃସିଂହ ଘେରି ବସିଲେ ତହିଁ ପରମେଷ୍ଠୀ ।

ସକଳ ବସନ୍ତେ ଦିବ୍ୟ ଶୋଭା ହେଲା ସଭା

ତା ମହିମା ନ ପାରନ୍ତି କହି ସୁରଦେବା ।

ସଭାରେ ବସି ଅଛନ୍ତି ଶ୍ରୀନୃସିଂହଦେବ

ଚାରିପାଶେ ବେଢିଛନ୍ତି ଦେବ ବ୍ରହ୍ମାଶିବ ।

ଦେବଋଷି ଆଦି କଲେ ନୃସିଂହଙ୍କ ପୂଜା

ଗାୟନ କରନ୍ତି ଚାରିବେଦ ମୁନିଦ୍ୱିଜା ।

ଶଙ୍କର ବ୍ରହ୍ମା ବାସବ ସର୍ବ ଦେବ ଆସି

ପଢନ୍ତି ନୃସିଂହ ସ୍ତୁତି ତାଙ୍କ ଆଗେ ବସି ।

ଜୟ ଜୟ ନୃସିଂହ ନିତ୍ୟ ନିରାକାର

ଜୟ ଜୟ ନୃସିଂହ ତୁ ଦଶଅବତାର ।

ଆମ୍ଭର ହିତରେ ସ୍ୱାମୀ ମଞ୍ଚେ ଜନ୍ମ ହେଉ

ଦୁଷ୍ଟଙ୍କୁ ସଂହାରି ପୁଣି ବୈକୁଣ୍ଠକୁ ଯାଉ ।

ଅବ୍ୟକ୍ତ ବ୍ରହ୍ମତୁ ଦେବ ପୁରୁଷ ପୁରାଣ

ସର୍ବକାଳେ ଆମ୍ଭେମାନେ ତୁମ୍ଭର ଶରଣ ।

ମୃରାସୁର ଭାରା ହେ ନ ପାରୁ ଆମ୍ଭେ ସହି

କି ରୂପେ ତାହାକୁ ମାରି ରଖ ପ୍ରଭୁ ମହୀ ।

ଅପାର ଦୁଷ୍ଟ ଅସୁର ଅଛି ଦୈତ୍ୟ ପୋଷି

ତାହା ଲାଗି ଆମ୍ଭେ ସ୍ୱର୍ଗେ ପାରୁନାହୁଁ ପଶି ।

ଛାମୁକୁ ଆସିବା ପାଇଁ ପାଉନାହୁଁ କାଳ

ସେବାରେ ଖଟଣି କରି ରଖିଲା ଚଣ୍ଡାଳ ।

କେତେ କାଳେ ଦରଶନ କଲୁ ଆସି ପ୍ରଭୁ

ଶ୍ରୀ ଛାମୁକୁ ଆଜ୍ଞା ଦେଲେ ବେଗେ ଆମ୍ଭେ ଯିବୁ ।

ଶୁଣିଣ ନୃସିଂହ ତାହା ହସ ହସ ହେଲେ

ମାରିବୁ ମୁରକୁ ବୋଲି ନିଶେ ହସ୍ତ ଦେଲେ ।

ମୁର ମାରଣେ ହୋଇଛୁଁ ଆମ୍ଭେ ଅବତାର

ଏ କଥାରେ ଆଉ କିଛି ସଂଶୟ ନ କର ।

ମୁର ରାକ୍ଷସକୁ ଆମ୍ଭେ କେବେହେଁ ନ ଡରୁ

ପୁତ୍ର ନାତିକୁ ମାରିଣ ଦେଲି କାଲିଠାରୁ ।

ଏବେ ତ ବୋବାଳି ଘରେ ପଡ଼ିଥିବେ ଯାଇ

ପୁତ୍ରଶୋକ ଗୋଟିକ କି ଅଳପ ଅଟଇ ।

ଏକ ଦୁଇ ନୁହେ ଯେ ସତର ଲକ୍ଷ ପୁତ୍ର

ନବଲକ୍ଷ ନାତି ଆଦି ମଲେ କାଲି ରାତ୍ର ।

ମୁର ଦାରୁଣ ଅଛନ୍ତି ସିନା ଆଉ ରହି

ସେନାପତି ସୈନ୍ୟରେ କି କାର୍ଯ୍ୟ ଅଛି ତହିଁ ।

ମୁରର ଯେ ପ୍ରାଣ ଜାଣ ମୋର ହାତେ ଅଛି

ଜୀବଥାଉଁ ମଲାଣି ସେ ବୋଲି ଦିଅ ପୋଛି ।

ସବୁଙ୍କୁ ମାରିବି ଯୁଦ୍ଧ କରି ଗୋଟି ଗୋଟି

ଶୂନ୍ୟରେ ଥାଇଣ ତୁମ୍ଭେ ଦେଉଥିବ ଦୃଷ୍ଟି ।

ଏଥିଉତ୍ତରାରେ ଯେ ଶୁଣ ହେ ନାରଦ ଦ୍ୱିଜେ

ସଭାରେ କୃଷ୍ଣବଲ୍ଲଭ କଲେ ଯାଇ ବିଜେ ।

ବ୍ରହ୍ମା ଶିବ ଆଦି ପାଦେ କଲେ ନମସ୍କାର

ନମିଲେ ଋଷିମାନଙ୍କୁ ଦେଖି ନୃପବର ।

ଦେବତାମାନଙ୍କୁ ଦେଖି ବହୁ ପୂଜା କଲେ

ଚରଣ ତଳରେ ନମି ଆଗେ ଉଭା ହେଲେ ।

ବ୍ରହ୍ମା ବୋଇଲେ କହିବା ରାଜା ତୋତେ ଶୁଣ

କେତ ସୁଭାଗ୍ୟେ ଲଭିଲୁ ପୁତ୍ର ନାରାୟଣ ।

ସବୁ ପ୍ରକାଶ କରନ୍ତି ବିଷ୍ଣୁ ନିଜ ଗର୍ଭୁ

ଏହି ସିନା ଶେଷଦେବ ଅନନ୍ତ ଯେ ପ୍ରଭୁ ।

ତୁମ୍ଭର ଯେ ଜ୍ୟେଷ୍ଠ ବଧୂ ଅଟେ କମଳିନୀ

ଶଙ୍ଖନିଧି ପଦ୍ମନିଧି ରାଜେ ହୃଦେ ପୁଣି ।

ହୋଇଛି ଅଚଳ ଯେଣୁ ଲକ୍ଷ୍ମୀ ତୁମ୍ଭ ପୁରେ

ଦେଖ ସେବନ୍ତି ତୋ ପୁତ୍ର ପାଦେ କୋଟି ନରେ ।

ବଲ୍ଲଭ ବୋଲେ କହିଲ ଯେବେ ବିହି ଏହା

ଆପଣଙ୍କ ଆଜ୍ଞା ଯାହା ଭାଙ୍ଗିବ କେ ତାହା ।

କର୍ମରେ ଏମନ୍ତ ପୁତ୍ର ଯେବେ ମୋର ଦେଲେ

କାହିଁକି ମୁରର ଭୟ ମୋତେ ଲଗାଇଲେ ।

ବଲ୍ଲଭ ବାକ୍ୟ ଶୁଣି ହସିଲେ ବିରଞ୍ଚି

ବୋଇଲେ ପୁତ୍ରଙ୍କ ଗୁଣ ନ ଜାଣୁ ତୁ କିଛି ।

ସାକ୍ଷାତରେ ବିଷ୍ଣୁ ଆସି ଜନ୍ମିଲେ ତୋ ଘରେ

ମୁର ଲାଗି ବାନ୍ଧିଲେ ଏ ଗଡ଼ ବଦ୍ରିକାରେ ।

ଦୂତକୁ ତ ପେଷିଥିଲା ତୁମ୍ଭେ ଜାଣିଅଛ

ପୁତ୍ରେ ତୋର ଗୁପ୍ତେ ଯାଇ ମାଇଲେ ତୋ ବତ୍ସ ।

ସତରଲକ୍ଷ ପୁତ୍ର ଯେ ନବଲକ୍ଷ ନାତି

ଏକାବେଳେ ମାରିଦେଲା ଏ ଗରୁଡ଼ ଯତି ।

ସେହି ଗରୁଡ଼ଟି ବସିଅଛି ଦେଖ ପାଶେ

ଏହାର ହାତେ ଆଖର ମରିବେ ରାକ୍ଷସେ ।

ପ୍ରଥମରୁ ନାତିପୁତ୍ର ମଲେଣି ତା ଜାଣ

ଏବେ ସେନାପତିମାନେ ମରିବେ ଆସିଣ ।

ତେଣୁ ଏହି ଗଡ଼ ବାନ୍ଧିଛନ୍ତି ଅଗୋଚରେ

ଦେଖୂଛ ସେବୁଛୁଁ ଆସି ଆମ୍ଭେ ବ୍ରହ୍ମାସୁରେ ।

ତୋହର ପୁରେ ଅଛନ୍ତି ଯେତେ ସଖା ସଖୀ

ଜାଣୁଛ ଏ ଅବତାର କଥା ତୁମ୍ଭେ ଦେଖି ।

ରାମ ଅବତାରଟି ଏ କନ୍ୟାଠାରୁ ଅଧେ

ସେବିବେ ବତିଶସସ୍ର ଯାଇ ରାମ ପାଦେ ।

ଶ୍ରୀ ରାମ ରାସ କରିବେ ସରଯୁର ତୀରେ

ଆଧ୍ୟାତ୍ମରେ ଲେଖାଅଛି ନାହିଁ ପୁରାଣରେ ।

ରାସକ୍ରୀଡ଼ା ସାରି ସୁଖେ ପୁଣ ରଘୁବଂଶୀ

କୃଷ୍ଣାବତାରେ ଦ୍ୱାପରଯୁଗେ ହେବେ ଆସି ।

ଏହି ନାୟିକାଗଣରୁ ଷୋଳସସ୍ର ଯିବେ

ଶ୍ରୀକୃଷ୍ଣଙ୍କ ନିମନ୍ତେ ଏ ଗୋପେ ଜନମିବେ ।

ଷୋଳସସ୍ର କନ୍ୟାଯେ ଗୋପବାଳୀ ହେବେ

ଗୋପକନ୍ୟା ବୋଲାଇ ସେ ଶ୍ରୀକୃଷ୍ଣେ ରମିବେ ।

ସେ ଅବତାର ମହିମା ଅକଳିତ ଅଟେ

ତହିଁ ଉତ୍ତାରୁଟି ପ୍ରଭୁ ଯିବେ ବଇକୁଣ୍ଠେ ।

କଳିଯୁଗେ ବସିବେକ ଯାଇ ନୀଳଗିରି

ସେ ଅବତାର ମହିମା ଶୁଣ ଦେବଚାରି ।

ଏହି ନାୟିକାରୁ ପୁଣି ଆଠସସ୍ର ଜୀବେ

ପଣ୍ଡା ପଢିଆରୀ ପଶୁପାଳକ ହୋଇବେ ।

ଦଇତାପତି ସୁଆର ଆଉ ମୁଦିରଥ

ଏମାନେ ସେବା କରିବେ ପ୍ରଭୁ ଜଗନ୍ନାଥ ।

ଶ୍ରୀଜଗନ୍ନାଥଙ୍କୁ ସେହି ନେବେ ଦିନକାଳ

ଶୁଣ ହେ ବଲ୍ଲଭ ଏହିରୂପେ ଆଦିମୂଳ ।

ନୃସିଂହଙ୍କୁ ଭଜିଲେଟି ସର୍ବ ଭୟ ଯାଏ

ନୃସିଂହଙ୍କୁ ଭଜି ଲୋକ ବଇକୁଣ୍ଠ ପାଏ ।

ଶ୍ରୀନୃସିଂହଙ୍କୁ ଭଜିଣ ସିଦ୍ଧ ଯୋଗୀଜନେ

ଅମର ହୋଇଣ ବସିଛନ୍ତି ଯୋଗାସନେ ।

ନୃସିଂହ ଭଜି ପୁରାଣ କିର୍ତ୍ତନ ଯେ କରେ

ରହଇ ତାହାର କୀର୍ତ୍ତି ଗୋଟି ବ୍ରହ୍ମାଣ୍ଡରେ ।

ଶୁଣ ହେ ବଲ୍ଲଭ ରାଜା ନୃସିଂହଙ୍କ ବାଣୀ

ନୃସିଂହଙ୍କୁ ଆଶ୍ରା କରି ତରିଯାନ୍ତି ପ୍ରାଣୀ ।

ତୋର ନୃସିଂହ ଏମନ୍ତ ପ୍ରଭୁ ଭାବଗ୍ରାହୀ

ଦୁଷ୍ଟ ନିବାରନ୍ତି ସନ୍ଥଜନ ରକ୍ଷା ପାଇଁ ।

ଏବେ ଏଥି ମୁରଦୈତ୍ୟ ସଂସାରେ ବଳିଲା

ନୃସିଂହ ଜନ୍ମ ଶୁଣିଣ ସହି ନ ପାରିଲା ।

ଜନ୍ମିଛି ଯାହାର ଲୋମ କୋଣୁ ବସୁନ୍ଧରୀ

ତାହାକୁ ମାରିବ ବୋରି ନେଲା ମୁର ଧରି ।

ଅଶୀଳତ ଆସିବାର ତୁମ୍ଭେ ଜାଣିଅଛ

ନ କହି ତୁମ୍ଭଙ୍କୁ ଲୁଚି ଗଲେଟି ଶ୍ରୀବତ୍ସ ।

ଯୋଡ଼ିଏ ମାୟାତନୟ ଅଙ୍ଗୁ ପ୍ରଭୁ କାଢ଼ି

ଗୁପତେ ସେ ଚଳିଗଲା ତୁମ୍ଭ ପାଶେ ଛାଡ଼ି ।

ତାର ରାଜ୍ୟକୁ ଅଢାଇ ବର୍ଷ ହେଲା ଗଲେ

ଦୈତ୍ୟ ପୁତ୍ରଙ୍କୁ ନୃସିଂହ ବିଦ୍ୟା ପଢ଼ାଇଲେ ।

ତହିଁଉତ୍ତାରୁ ସେ ମୁର କୂଟ ବୁଦ୍ଧି କଲା

ପୁତ୍ରକୁ ଡ଼କାଇ ତାଙ୍କୁ ଗୁପତେ କହିଲା ।

ବୋଇଲାଯେ ଏ ନୃସିଂହ ଅଟେ ଆମ୍ଭ ଶତ୍ରୁ

ତାହାକୁ ଜଗିଣ ତୁମ୍ଭେ ମାର ଆଜ ରାତ୍ରୁ ।

ସେ କଥା ଶୁଣିଣ ପୁତ୍ରେ ପାଞ୍ଚି ପାପ ବୁଦ୍ଧି

ରାତ୍ରରେ ସର୍ବେ ପଶିଲେ ଆସି ପୁରୁ ରୁନ୍ଧି ।

ସେହିଦିନ ତାଙ୍କ ଦୋଷ ପ୍ରଭୁ ନ ଘେନିଲେ

ଗୁପତରେ ନଦୀତୀରେ ଯାଇଣ ରହିଲେ ।

ଲେଉଟି ଆସିଲେ ଆରଦିନ ଦୈତ୍ୟ ମାଡ଼ି

ରହିଲେ ରଜନୀ ଅର୍ଦ୍ଧେ ଆସି ଘର ବେଢ଼ି ।

ଶୟନ ପୁରକୁ ଜଗି ଲଗାଇଲେ ଜଇ

ଅଗ୍ନୀକୁ ଦେଖି ରହିଲେ ପ୍ରଭୁ ଶୂନ୍ୟେ ଯାଇ ।

ଚାହିଁ ଗରୁଡ଼କୁ ଆଜ୍ଞାଦେଲେ ମାର ବୋଲି

ଶୁଣିଣ ଉଠିଲା ପକ୍ଷୀବର ଖଗ ମେଲି ।

ବେନି କାଖେ ରୁଣ୍ଡିଆଇ ସବୁଙ୍କୁ ଧଇଲା

ବାତେ ଉଡ଼ାଇଣ ସିନ୍ଧୁ ଜଳେ ପକାଇଲା ।

ବଡ଼ବାନଳରେ ମାରି ସବୁ ଦେଲା ପୋଡ଼ି

ଆଣିଲା ନୃସିଂହ ବେନି ଭାଇ ତହୁଁ ଧାଡ଼ି ।

ତେଣୁ ସେ ବାନ୍ଧିଲେ କ୍ଷଣେମାତ୍ର ଗଡ଼ ରାତ୍ରେ

କାହାକୁ ଯେ ଜଣା ନାହିଁ ସୃଜିଲେ ଜଗତେ ।

କିପାଁଇ ମୁକୁଳା କରି ରଖନ୍ତେ ଏ ସ୍ଥାନ

ଏ ଘେନି ନିର୍ବନ୍ଧ କରିଗଲେ ଭଗବାନ ।

ବିଶ୍ୱକର୍ମାକୁ ଚିନ୍ତନେ ନିର୍ମାଣିଲା ଗଡ଼

ତୁମ୍ଭର ଭୟ ନାଶିଲେ ଏବେ ଯୋଗାରୁଢ଼ ।

ପାଇଲେ ବଦ୍ରିକା ଲୋକେ କଷ୍ଟ ବୋଲିକରି

ତେଣୁ ଏ ଅଭୟଗଡ଼ ବାନ୍ଧିଲେ ପାଚେରି ।

କରିବେ ସମର ଏବେ ମରିବେ ଦନୁଜ

ଦେବତାମାନଙ୍କୁ ଏବେ ଦେବେ ଅଇଶ୍ୱର୍ଯ୍ୟ ।

ମାତାପୁତ୍ରଙ୍କୁ ଯୋଡ଼ିଏ ଯେ ତୁମ୍ଭେ ଘରେ ଛାଡ଼ି

ଅସୁର ପୂରକୁ ଗଲେ ଗରୁଡ଼ରେ ଚଢ଼ି ।

ଶୁଣହେ କୃଷ୍ଣବଲ୍ଲଭ କହନ୍ତି ଯେ ବ୍ରହ୍ମା

ଏରୂପେ ଅଟେ ନୃସିଂହ ପ୍ରଭୁଙ୍କ ମହିମା ।

ତୁମେ ବିଷ୍ଣୁର ଯେ ଅଟ ପିତାମାତା ପୁଣି

ନର ଜନ୍ମେ ତୁମ୍ଭ ପ୍ରାୟେ ନାହିଁ କେ ଅଗ୍ରଣୀ ।

ଶୁଣିଣ କୃଷ୍ଣବଲ୍ଲଭ ଭଗବତୀ ମାୟେ।

ବ୍ରହ୍ମା କଥାରୁ ଚିହ୍ନିଲେ ଶ୍ରୀବିଷ୍ଣୁର କାୟେ ।

ବୋଲନ୍ତି ଭଲ ମହିମା ତୋର ହୃଷିକେଶି

ମାୟାପୁତ୍ର ଘରେ ଛାଡ଼ିଗଲ ବ୍ରହ୍ମରାଶି ।

ଧନ୍ୟ ଏ ଆମ୍ଭର ଭାଗ୍ୟ ଧନ୍ୟ ଚକ୍ରପାଣି

ଏତେବୋଲି ବନ୍ଦାଇଲେ ଶିରେ ଅର୍ଘ୍ୟ ଆଣି ।

ବଜାଇ ଶଙ୍ଖ ମହୁରୀ ଶ୍ରୀବୀର କାହାଳୀ

ନୃସିଂହକୁ ପୁଷ୍ପାଞ୍ଜଳି ଦ୍ୟନ୍ତେ ସର୍ବେ ମିଳି ।

ଚନ୍ଦନ ଚତୁଃସମେ ଶ୍ରୀନୃସିଂହ ପୂଜିଲେ

ଅଷ୍ଟରତ୍ନ ଅଳଙ୍କାର ଅଙ୍ଗେ ପିନ୍ଧାଇଲେ ।

ଲଲାଟେ ହରି ମନ୍ଦିର ଶିରେ ଦୁର୍ବାକ୍ଷତ

ହୁଳହୁଳି ଦିଅନ୍ତି ଯେ ନାରୀ ଅପ୍ରମିତ ।

ପୁତ୍ରକୁ ବେଶ କରିଣ ଭଗବତୀ ରାଣୀ

ଭିତରପୁରେ ମିଳିଲେ ଯାଇ ସେହିକ୍ଷଣି ।

ଏଥୁଅନନ୍ତରେ ସେହି ଶ୍ରୀନୃସିଂହ ପ୍ରଭୁ

ବ୍ରହ୍ମାଙ୍କୁ ବୋଲାନ୍ତି ଦେଖିଯିବା ଗଡ଼ ସବୁ ।

କିରୂପେ ସେ ବିଶ୍ୱକର୍ମା ସୃଜି ଗଲା କାଲି

ସେ ଗଡ଼େ ପଶି ଦେଖିବା ଚାଲ ବୁଲି ବୁଲି ।

ଏତେକ ବୋଲି ଗରୁଡ଼େ ହରି ବିଜେକଲେ

ଶେଷଦେବ ଦେବଯାନ ତହୁଁ ଆହୋରିଲେ ।

କୃଷ୍ଣବଲ୍ଲଭ ରାଜନ ହେଲେ ଅଶ୍ୱଲାଗି

ନୃସିଂହ ଗହଣେ ଲାଗିଛିନ୍ତି ମାୟା ତ୍ୟାଗି ।

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ବିଷ୍ଣୁକରେ

କଉସ୍ତୁଭ ମଣି ଶୋଭୁଅଛି ହୃଦୟରେ ।

ନୀଳଇନ୍ଦୀବର ପ୍ରାୟେ ଦିଶେ ତନୁ ଶୋଭା

ଶିରେ ମୁକୁଟ ସେବତୀ କୁସୁମର ଗଭା ।

କଙ୍କଣ ବାହୁଟି ବିଦ ମୁଦି ଜଗଦବାଳା

ମଣି ମାଣିକ୍ୟ ହୀରାରେ ବିରାଜଇ ଗଳା ।

କଟିରେ ସୁଝୀନବସ କନ୍ଧେ ଯଜ୍ଞସୂତା

ପ୍ରକାଶି କୋଟି ମନ୍ଦନରୂପ ଜଗଜ୍ଜିତା ।

ବିଜୟ କଲେ ସେ ପ୍ରଭୁ ଗରୁଡ଼ ପୃଷ୍ଠରେ

ଦେବଙ୍କୁ ବୋଇଲେ ବସ ଯେ ଯାହା ଯାନରେ ।

ବ୍ରହ୍ମା ରୁଦ୍ର ଇନ୍ଦ୍ର ନୃସିଂହଙ୍କ ଆଜ୍ଞା ପାଇ

ବାହାରିଲେ ନିଜ ନିଜ ବାହନ ଆରୋହି ।

ବଇକୁଣ୍ଠପୁର ପ୍ରାୟେ ଦିଶେ ବଦରିକା

ସେବାରେ ଲାଗିଅଛନ୍ତି ସକଳ ନାୟିକା ।

ମଙ୍ଗଳ ହୁଳହୁଳି ଯେ ଗୀତ ବାଦ୍ୟ ଧ୍ୱନୀ

ଅଙ୍ଗ ଢାଳି ଢାଳି ଚାଲୁଅଛନ୍ତି କାମିନୀ ।

କେହୁ ବକ୍ରେ ଚାହାନ୍ତି କେ ଚାହାନ୍ତି ନିରେଖି

ଜାଣନ୍ତି ନାରୀଙ୍କ ମନ କଥା ପଦ୍ମ ଆକ୍ଷି ।

ମହୁରୀ ତାଳ ଯେ ନାନବିଧ ବାଦ୍ୟ ବାଜେ

ଗରୁଡ଼ପୃଷ୍ଠେ ବିଜୟ ପ୍ରଭୁ ଦେବରାଜେ ।

ଆକାଶେ କରନ୍ତି ପୁଷ୍ପବୃଷ୍ଟି ଦେବଗଣେ

ଶ୍ରୀ ନୃସିଂହ ଶେଷଦେବ ବଜୟ ଗହଣେ ।

ସମସ୍ତ ଦେବତା ସୁଖେ ଆସନରେ ବସି

ନୃସିଂହ ଗହଣେ ବିଜେ କଲେ ହସି ହସି ।

କିନ୍ନରୀ ଅପସରାଏ ଆଗେ ଆଗେ ରହି

ବଜାନ୍ତି ହରଷେ ତାଳ ଖୋଳ ଗୀତ ଗାଇ ।

ମନପବନ ରଥରେ ଋଷିମାନେ ବସି

ବଜାନ୍ତି ପଞ୍ଚମସ୍ୱରେ ବୀଣା ହସି ହସି ।

ନୃସିଂହଙ୍କ ବେନି ପାଶେ ବ୍ରହ୍ମା ପଞ୍ଚାନନ

ଚାଳନ୍ତି ବାହାନେ ବସି ହୋଇ ହୃଷ୍ଟମନ ।

ଚାରିପାଶେ ଦଶଦିଗପାଳେ ସଜ ହୋଇ

ଚାଲନ୍ତି ବାହନମାନ ଚଢି ଶ୍ରଦ୍ଧା ବହି ।

ଦ୍ୱିଜମାନେ ରହି ବେଦ ପଡ଼ନ୍ତି ଚୌପାଶେ

ମହାସମ୍ଭ୍ରମରେ ଯାଉଛନ୍ତି ଦଶଦିଶେ ।

ବୈକୁଣ୍ଠପୁରେ ବିଷ୍ଣୁଙ୍କ ଯେରୂପେ ଗହଣ

ତହୁଁ ଶତ ଅଧିକରେ ଯାନ୍ତି ହରିଗଣ ।

ପାଞ୍ଚୁଛନ୍ତି ଦେବ ଏବେ ଯିବ ଆମ୍ଭ ଦୁଃଖ

ମୃରାସୁର କୁ ମାରିବେ ନିଶ୍ଚେ ପଦ୍ମମୁଖ ।

ଆଉ ଅବା କେତେଦିନ ଅଛି ଦୁଃଖଭୋଗ

ଶ୍ରୀନୃସିଂହ ପ୍ରଭୁ ଲାଗି କରିବା ଦୈଭୋଗ ।

ଏରୂପରେ ମନେ ମନେ ପାଞ୍ଚି ଦେବଗଣେ

ଚାଲନ୍ତି ବଦ୍ରିକାଦାଣ୍ଡେ ବିଷ୍ଣୁଙ୍କ ଗହଣେ ।

ଅଶୀଏ ଅବୁଦ ଯୋଦ୍ଧା ଶତାର୍ବୁଦ ରଥି

ଚାଲନ୍ତି ପନ୍ଦରଲକ୍ଷ ପାଇକ ପଦାତି ।

ଉଡ଼ଇ ଆଲମ୍ବ ପାଟଛତ୍ର ଅପ୍ରମିତ

ଉଛୁଳଇ ବାଦ୍ୟନାଦ ଆଘାତେ ଜଗତ ।

ଶ୍ରୀନୃସିଂହ ପ୍ରଭୁଲାଗି ସର୍ବେ ତେଜୋମୟ

ପ୍ରକାଶନ୍ତି ଶୌର୍ଯ୍ୟ ଧୈର୍ଯ୍ୟ ବଳ ମେରୁ ପ୍ରାୟ ।

ଚଉଦସସ୍ର ବଜାର ନଉସସ୍ର ସାହି

ବୁଲନ୍ତି ଗରୁଡ଼ ପୃଷ୍ଠେ ପ୍ରଭୁ ଭାବଗ୍ରାହି ।

ଦେଖନ୍ତି ବଦ୍ରିକାପୁର ଗରୁଡ଼ରେ ଚଢ଼ି

ଧାମନ୍ତି ଲୋକେ ଦେଖିଣ ଆଗପଛ ମାଡ଼ି ।

ବିଶ୍ୱକର୍ମା ସୃଜିବାର ଯେବଣ ଦୁର୍ଗମ

ମଞ୍ଚ ମଣ୍ଡଳଯାକକୁ ଅଟେ ଅତି ରମ୍ୟ ।

ବ୍ରହ୍ମା ବୋଇଲେ ଶୋଭିଲା ଏବେ ଏ କଟକ

ଦିଶଇ ବୈକୁଣ୍ଠପୁର ଦ୍ୱିଗୁଣ ଝଟକ ।

ଯହିଁ ଅଛନ୍ତି ନୃସିଂହ ଶେଷ ବିଜେକରି

ସହସ୍ରେ ବୈକୁଣ୍ଠ ହେଲେ ନୁହେ ତାକୁ ସରି ।

ହରି ଯେଉଁ ପୁରେ ଥାନ୍ତି ସେ ବୈକୁଣ୍ଠ ଏକା

ତେଣୁ ବଇକୁଣ୍ଠ ଅଟେ ଜାଣ ବଦରିକା ।

ଶ୍ରୀନୃସିଂହ ସ୍ୱାମୀଜାଣ ଆଜ୍ଞା ପରମାଣେ

ବିଶ୍ୱକର୍ମା କେତେ ଚିତ୍ର ସ୍ଥାପିଅଛି କୋଣେ ।

ଆବର ସେ ଗଡ଼ ବାନ୍ଧିଅଛି ଯାହା ଆଣି

ନପାରିବେ କହି କେହୁ ତାହା ପରିମାଣି ।

ଦୋମୁହିଁ ଯେ ଆଡ଼ମୁହିଁ ଘର ଗୁଣ୍ଡିଜଳା

ପଞ୍ଜୀର ମେଳା ଜାଙ୍ଗୁଲା ଗୁଜ ଚୋରିନଳା ।

ଧାଉଡ଼ି ପିଣ୍ଡା ଯେ ବେଦୀମାନ ଦମଦମା

କେଲୁଅ ମଞ୍ଚା ଭାଡ଼ି ଯେ କପାଟର ସୀମା ।

ଚକଡ଼ା ନଳି ଖାତ ଯେ ଜର ନଳିଗୁଣ୍ଡ।

ଦୁଆଡ଼ ସାବେଳା ଖଣ୍ଡା ଛୁରୀ ଫରୀ କାଣ୍ଡ ।

ତୀର ଧନୁ ପରଶୁ ଯେ କାତି ଏକମୁନା

ବାଙ୍କେଡ଼ୀ ଗୁରୁଜ ଗୁଳି ଦୋକନା ଫର୍କନା ।

ବ୍ରହ୍ମପୁରୀ ବିଷ୍ଣୁ ପୁରୀ ରୁଦ୍ରପୁରୀ ପନ୍ଥା

ଯୁଝିଲେ ତ ତହିଁ ବସି ଛିଡ଼େ ଶତ୍ରୁ ମଥା ।

ଏ ବଡ଼ ସୂତ୍ର ମାର୍ଗ କେ ପାରୁ ମୁଖେ କହି

ଲାଖ ଭେଦ କାଣ୍ଡ ସୂତ୍ର ସବୁ ଅଛି ଥୋଇ ।

ଏ ରୂପେ ବୋଇଲେ ବ୍ରହ୍ମା ରୁଦ୍ର ଇନ୍ଦ୍ର ଯାଏ

ପ୍ରଶଂସା କରି ଦେଖନ୍ତି ସେ ଅପୂର୍ବ ପ୍ରାୟେ ।

ବ୍ରହ୍ମା ବୋଲନ୍ତି କଲିଣି ମୁହିଁ ଯେତେ ଭୋଗ

ଲେଖନ୍ତେ ଯେ ଶତକୋଟି ପଦ୍ମ ହେବ ଯୁଗ ।

ଏରୂପେ ଗଡ଼ର ମାର୍ଗ ଦେଖି ନାହିଁ ଦିନେ

ବୈକୁଣ୍ଠରୁ ଶତେଗୁଣ ଦିଶୁଛି ନୟନେ ।

ରୁଦ୍ର ବୋଇଲେ ମୁହିଁ ଜନ୍ମ ହେଲା ଦିନୁ

ଲେଖନ୍ତେ ପନ୍ଦରକୋଟି ଭୋଗ ହେଲା ମନୁ ।

ମନୁ ଗୋଟିକେ ପୁଣି ବିସ୍ତାରି ଗଣ୍ଡା ଯୁଗ

ସତ୍ୟ ସତର ଲକ୍ଷ ଅଠୈଶ ସସ୍ର ଭୋଗ ।

ତ୍ରେତା ବାରଲକ୍ଷ ଛୟାଳୋଇ ସସ୍ର ହୋଇ

ଦ୍ୱାପର ଆଠଲକ୍ଷ ଚୌଷଠି ସସ୍ର ହୋଇ ।

କଳି ଚାରିଲକ୍ଷ ଯେ ବତିଶସସ୍ର ଜାଣ

ଏହିରୂପେ ଚାରିଯୁଗ ଏକ ଗଣ୍ଡା ପୁଣ ।

ପଞ୍ଚମୁଖେ ଅଛି ମୋର ପଞ୍ଚଦଶ ନେତ୍ର

ତହିଁରେ ଦିନେ ତ ଦେଖିନାହିଁ ଏଡ଼େ କ୍ଷେତ୍ର ।

ବାସବ ବୋଇଲେ ନବସୃଷ୍ଟି ପାଳେ ମୁହିଁ

ବଦ୍ରିକା ସମାନ ଗଡ଼ କାହିଁ ଦେଖିନାହିଁ ।

ଋଷିଏ ବୋଇଲେ ଆମ୍ଭେ ଜନମୁ ଆମର

ଏଡ଼େ ଗଡ଼ ଦେଖିନାହୁଁ ଭ୍ରମି ତିନିପୁର ।

ଆଉ ଅଛନ୍ତି ବଦ୍ରିକା ନଗ୍ରେ ଯେତେ ଲୋକ

ସମସ୍ତେ ଦେଖିଣ ତୋଷହ୍ୱନ୍ତି ଗଡ଼ଯାକ ।

ଏରୂପେ ନଗର ବୁଲି ଦେଖାଇଲେ ହରି

ସିଂହଦ୍ୱାରେ ରହିଲେ ସେ ଆସି ବିଜେ କରି ।

ବ୍ରହ୍ମାଏ ବୋଇଲେ ଆମ୍ଭେ ହେଉଛୁ ମେଲାଣି

ମୁରକୁ ମାରିଣ ଏବେ ରଖ ଏ ଧରଣୀ ।

ରୁଦ୍ର ବୋଇଲେକ ମୁହିଁ କି କରିବି ପୁଣ

ଶର ଦେଇପାରେ ମୁହିଁ ନ ପାରେ ମାରିଣ ।

ତଥାପି ଶରୀରୁ ହୋଏ ଶରୀର ସମ୍ଭୁତ

ଶରୀରେ ନ ରହି ପ୍ରାଣୀ ହୁଅନ୍ତି ନିପାତ ।

ଶରୀରକୁ ଆୟୁ ଶତେ ଆଠ ଯେ ବରଷ

ଏ କଥା ଲେଖିଅଛନ୍ତି ବେଦେ ଜଗଦୀଶ ।

ଶରୀରେ ଲେଖିଛି ଯାହା ନ କରି ତା ପ୍ରାଣୀ

ଅଳପରେ ଅଳ୍ପାୟୁଷ ହୁଅନ୍ତି ନ ଜାଣି ।

ଶୁଣିଣ ନୃସିଂହ ଦେବ ହେଲେ ହସ ହସ

ବୋଇଲେ ତ ଏବେ ଚଳିଯାଅ ଯେଝାଦେଶ ।

ମୃରାସୁର ଦୈତ୍ୟକଥା ଲାଗିଲା ଆମ୍ଭଙ୍କୁ

ଅବତାର ହୋଇଅଛୁ ତାକୁ ମାରିବାକୁ ।

ଆଜ୍ଞା ପାଇ ବ୍ରହ୍ମା ରୁଦ୍ର ଇନ୍ଦ୍ର ଚଳିଗଲେ

ଋଷିଗଣ ସହିତରେ ସର୍ବେ ବିଜେ କଲେ ।

କିନ୍ନରୀ ଅପସରୀ ଯେ ଦେବଗଣ ଆଦି

ଯେ ଯାହା ଭୁବନେ ଯାଇ ଭୋଗ କଲେ ଗାଦି ।

ଗରୁଡ଼କୁ ଦେବରାୟେ ମଣୋହି କରାଇ

ପିତାମହ ଅନ୍ତଃପୁରେ ବିଜେ କଲେ ଯାଇ ।

ବେନି ବଧୂଙ୍କୁ ସୁବେଶ କରି ଭଗବତୀ

କମଳା ଇଳାବର୍ଣ୍ଣିକା ଆବର ଭାରତୀ ।

ଚୌଷଠି ସହସ୍ର କନ୍ୟା ଆଉ ଅଷ୍ଟସଖୀ

ଏହାଙ୍କ ବେଶ ବର୍ଣ୍ଣିକେ ପାରେ ଗ୍ରନ୍ଥଲେଖି ।

ଘେନିଣ ନାୟିକାଗଣ ଭଗବତୀ ରାଣୀ

ପୁତ୍ରଙ୍କୁ ଶିରେ ବନ୍ଦାଇ ଦେଲେ ଅର୍ଘ୍ୟ ଆଣି ।

ମଙ୍ଗଳ ହୁଳହୁଳି ଯେ ଗୀତନାଦ କରି

ମଣୋହି ଗୃହକୁ ଗଲେ ପୁତ୍ର ସଙ୍ଗେ ଧରି ।

ଆସନେ ବସାଇ ପତିପୁତ୍ରେ ଭଗବତୀ

ମୁରୁଜମାନ ଦେଇ ଠା ସଜ କରିଛନ୍ତି ।

ପିତା ବାମେ ଦକ୍ଷିଣେ ନୃସିଂହ ବେନି ଭାଇ

ମଣୋହିରେ ବିଜେକଲେ ଆନନ୍ଦିତ ହୋଇ ।

କମଳା ସମ୍ପାଦି ଷଡ଼ରସ ଦ୍ୱନ୍ତି ବାଢ଼ି

ପରଷନ୍ତି ଭଗବତୀ ଝିଲି ପୁଳି ନାଡ଼ି ।

ବେନିପାଶେ ବେନି ଭାଇ ମଧ୍ୟରେ ବଲ୍ଲଭ

ଭୁଞ୍ଜିଣ ହେଲେ ସନ୍ତୋଷ ଶ୍ରୀନୃସିଂହ ଦେବ ।

ଲକ୍ଷ୍ମୀ ଭଗବତୀ ଈଳା ଅଷ୍ଟସଖୀ ଆଦି

ନାୟିକାଗଣ ମିଶିଲେ ଭୁଞ୍ଜିଲେ ସମ୍ପାଦି ।

ଆଚମନ ସାରି ତହୁଁ ତାମ୍ବୁଳ ଭୁଞ୍ଜିଲେ

ମହାଲକ୍ଷ୍ମୀଙ୍କ ପୁରକୁ ଶ୍ରୀନୃସିଂହ ଗଲେ ।

ଈଳା ଠାକୁରାଣୀପୁରେ ବିଜେ ଶେଷଦେବ

ନାନରୂପେ କ୍ରୀଡ଼ାରସେ କଲେ କେଳିଭାବ ।

ଲକ୍ଷ୍ମୀ ନୃସିଂହ ମହିମା ରସେ ଆଲୋକିତ।

ଲକ୍ଷ୍ମୀବିନା ଆନ ସ୍ତ୍ରୀ ନ ଛୁଅନ୍ତି ଶ୍ରୀକାନ୍ତ ।

ଆନ ସ୍ତିରୀ କ୍ରୀଡ଼ାଭାବ ଅଟେ ମାୟା ରସ।

ସେ ପାଦେ ଶରଣ ବିପ୍ର ପୀତାମ୍ବର ଦାସ।

ଜାତିରେ ବ୍ରାହ୍ମଣ ହୋଇ ଅଟେ ମୁହିଁ ମୂର୍ଖ।

ସଭାରେ ମୁଁ କରିନାହିଁ କେବେ ପକ୍ଷାପକ୍ଷ ।

ସବୁଦିନେ ଉଦାସରେ ଦିନ ମୋର ଯାଏ।

ବିଷ୍ଣୁର ଚରଣ ଭଜି ସମୟ କଟାଏ ।

ସୁଜନଙ୍କ ପାଦପଦ୍ମେ ଲାଗେ ଖେଡ଼ୁଆଳି।

ଦେଖିଲେ ମୁରୁଖଜନ ତହୁଁ ଯାଏ ଚାଲି ।

ପଣ୍ଡିତଜନଙ୍କୁ ମୋର ନ ଥାଇ ଯେ ଭୟେ।

ମୁର୍ଖଙ୍କୁ ଦେଖି ଅନ୍ତର ହୋଇ ମୁହିଁ ଯାଏ ।

ସୁଜନ ସୁଜ୍ଞାନୀ ସୁପଣ୍ଡିତ ଯେତେ ପ୍ରାଣୀ।

ସେମାନେ ଚିହ୍ନି ପାରନ୍ତି ଏକା ମୋତେ ପୁଣି ।

ସଂସାରଯାକେ ଅଛନ୍ତି ଯେତେ ଜୀବ ଜନ୍ତୁ।

ସବୁରି ସାନ ପୁତ୍ର ମୁଁ ଅଟେ ବୀର୍ଯ୍ୟ ତତ୍ତୁ ।

ସମସ୍ତେ ମୋହର ପିତା ସବୁ ସ୍ତୀରି ମାତା

ଏହା ଲେଖ ବୋଲି ଆଜ୍ଞାଦେଲେ ଜଗଜ୍ଜିତା ।

ଶ୍ରୀବିଷ୍ଣୁ ଆଜ୍ଞା ପ୍ରସାଦୁଁ ଲେଖେ ମୁଁ ପୁରାଣ।

ବିପ୍ର ପିତାମ୍ବର ଦାସ ପଶିଲା ଶରଣ ।

 

ମୃରାସୁର ର ସଭା ଓ ପୁତ୍ରଙ୍କ କଥା ଶୁଣି ଚାରିଦିଗକୁ ଦୂତ ପ୍ରେରଣ

ଏହିରୂପେ ଦିବାରାତ୍ର ଯାନ୍ତେ ହୋଇ ଭୋଗ

ସଭାରେ ବିଜୟ କରି ବସିଲେ ନୃସିଂହ ।

ସେହିଠାରୁ ମୁର ଦୈତ୍ୟ କଥା ଏବେ ଶୁଣ

ଚତୁର୍ଥ ସାଗର ବାଣୀ ଅଟେ ଏ ପୁରାଣ ।

କନକାବତୀ କଟକ ନଗର କାହାଣୀ

ସାବଧାନେ ବସି ଶୁଣ ଏବେ ନୃପମଣି ।

ସେ ନଗର ପୂର୍ବଦ୍ୱାରେ ମୁର କରେ ସଭା

ତିନିପୁର ଲୋକ ଆସି ହୋଇଛନ୍ତି ଉଭା ।

 

ଦେବଗଣ ନରଗଣ ନାଗଗଣ ଆଦି

ଛତିଶ ସେନା ଆବର ଯେତେ ମହାଯୋଧି ।

ବାରତା କହନ୍ତି ଦୂତେ ତିନିପୁରୁ ଆସି

ପାତ୍ର ମନ୍ତ୍ରୀଙ୍କ ମୁଖରୁ ଶୁଣେ ରାଜା ବସି ।

ଶୁକ୍ର ଗୁରୁ ରହିଛନ୍ତି ତହିଁ ବିଜେ କରି

ବସିଛନ୍ତି ସଭାଯାକ ନିଶବଦେ ପୂରି ।

ଆଖଡ଼ାଶାଳ ଖବର ଦେଲା ଚାର ଆସି

ବୋଇଲାକ ସାବଧାନେ ଶୁଣ ଦୈତ୍ୟଶଶି ।

ଯେବେ ତୁମ୍ଭ ପୁତ୍ର ନାତି ବିଦ୍ୟା ପଢ଼ୁଥିଲେ

ନାହାନ୍ତି ସେଠାରେ କେହିକା ହିଁ ଚାଲିଗଲେ ।

ରାଉତ ମାହୁନ୍ତ ଆଦି ଯେତେକ ପଦାତି

ପାହାରିଗଣ ସହିତେ ଗୋଟିଏ ନାହାନ୍ତି ।

ଆଖଡ଼ାଶାଳର ସୀମା ପାଚେରୀକି ଯାଇ

ଭୋ ଦେବ ଦେଖିଲି ତହିଁ କେହି ଲୋକନାହିଁ ।

ପ୍ରଥମ ଖଣ୍ଡ ଆବର ବୃକ୍ଷ ଗିରି ଖଣା

ହୋଇଅଛି ମହାଶୂନ୍ୟ ତେଡ଼େକ ଅଗଣା ।

ମୋହର କହିବା କଥା ବିଶ୍ୱାସ ନ ହେଲେ

ବୁଝନ୍ତୁ ଅପର ଦୂତ ପେଶି ତାହା ଭଲେ ।

ଏମନ୍ତ ବୋଲି କହନ୍ତେ ଦୂତଆସି ବାଣୀ

ସଭାଯାକ ନିସ୍ତବଦ ହେଲେ ତାହାଶୁଣି ।

କେ ବୋଲେ ବହିଲା କି ହୋ ଅଣଚାଶ ବାତ

କେ ବୋଲେ ଶୁଣି ଲାଗୁଛି ଏହା ବିପରୀତ ।

କେବୋଲେ ଆସିଲା ଯେବେ ଅଣଚାଶ ମାଡ଼ି

ବୃକ୍ଷମାନେ ଉପୁଡ଼ିଣ ତଳେ ଥାନ୍ତି ପଡ଼ି ।

କେବୋଲେ ଅଟନ୍ତି ରାଜପୁତ୍ରେ କେଡ଼େ ଯୋଧି

ଉପାୟ କରି ତଳକୁ ଦେଲେ ଶର ରୁନ୍ଧି ।

କେ ବୋଲେ କେଡ଼େ ପାଚେରୀ ସେହି କାହିଁଗଲା।

ପବନ ବହନ୍ତେ ଭାଜି ଦିଶନ୍ତା ତ ମେଲା।

କେ ବୋଲେକେଡ଼େ ଆଖଡ଼ା ପାଜେରୀରବେଢ।

କିରୂପେ ଉପାଡ଼ି ଦେଲା ବାତ ତେଡ଼େ ଗଡ଼ ।

ତଥାପି ହେଲେ ବାତକୁ ବୋଲିବା ନା କିସ

ଯହିଁ ଲତା ବୃକ୍ଷ ଦେଖାନାହିଁ ତହିଁ ଲେଶ ।

ଏରୂପେ ବୋଲିଣ ଦୈତ୍ୟ ହୁଅନ୍ତେ କାଉଳି

ଅନ୍ତଃପୁର ମଧ୍ୟେ ପଡ଼ିଲାକ ବୋବାଳି ।

ଝରା ପରିବାରିଏ ସେ ସଭା କଥା ଶୁଣି

ମହାଦେଇଙ୍କୁ କହିଲେ ପୁତ୍ରଙ୍କର ବାଣୀ ।

ବୋଇଲେ ଆଖଡ଼ାଶାଳେ ଯେତେ ଯାଇଥିଲେ

ପାଚେରୀ ଘର ସହିତ କାହିଁ କେଣେ ଗଲେ ।

ଏ ରୂପେ ଯେ ଦୂତମାନେ କହୁଛନ୍ତି ଆସି

ଶୁଣିଣ କାନ୍ଦନ୍ତି ରାଣୀମାନେ ଶୋକେ ବସି ।

ଜଣେ ନୁହଇ ତେତିଶକୋଟି ମହାରାଣୀ

ଭୂମିରେ ପଡ଼ି ଲୋଟନ୍ତି ଉଚ୍ଚେ ଟେକି ବାଣୀ ।

ସଭାରୁ ଉଠି ସବୁଙ୍କୁ ମୂର ନିବର୍ତ୍ତାଇ

ବୋଇଲାକ ଅକାରଣେ ରୋଦୁଛ କିପାଇଁ ।

ଗଲା ମଲା ବୋଲି କିଛି ଗୋଚର ତ ନାହିଁ

ମହୀକର୍ଣ୍ଣକୁ ମୋହର ମାରି କେ ପାରଇ ।

ସହସ୍ରେ ହରି ହେଲେ କି ହେବ ତାକୁ ସରି

ଜାଣିଛ ଆଉ ପୁତ୍ରଙ୍କ ଗୁଣ ଜନ୍ମ କରି ।

ବ୍ରହ୍ମାଣ୍ଡଯାକେ ମୋହର ପୁତ୍ରେ ମହାବଳୀ

ଜଣେ ଜଣେ ମେରୁଗିରି କ୍ଷଣେ ଦେବେଟାଳି ।

କିରୂପେ କାହିଁ ସେ ଅବା ଯାଇଁଛନ୍ତି ଲୁଚି

ଏଥକୁ କରୁଛ ଶୋକ କିପାଁ ମନେ ମୂର୍ଚ୍ଛି ।

ଏରୂପେ କହି ସବୁଙ୍କୁ ରାଜା ନିବର୍ତ୍ତାଇ

ଲେଉଟି ସଭା ମଧ୍ୟରେ ବସିଲେକ ଯାଇଁ ।

ସକଳ ସେନାଙ୍କୁ ଚାହିଁ ପୁଚ୍ଛେ ପୁଣି ପୁଣି

ବୋଇଲା ସ୍ଥିର କରିଣ କହ କଥା ପୁଣି ।

ସୁବିଜ୍ଞ ମନ୍ତ୍ରୀକି ପୁଣି ପୁଚ୍ଛେ ରାଜା ଚାହିଁ

ସେ ବଲ୍ଲଭ ରାଜା ପୋଏ ଗଲେ ମଧ୍ୟ କାହିଁ ।

କିବା କୁହୁକବିଦ୍ୟା ସେ କରି ଲୁଚାଇଲେ

କି ଅବା ସେ ଜଳଧର ବ୍ୟୁହ ପ୍ରକାଶିଲେ ।

ନୁହନ୍ତି ତ ଏତେ ତେବେ ସତର ଯେ ଲକ୍ଷ

ଆବର ଅଟନ୍ତି ନାତି ମୋର ନବଲକ୍ଷ ।

ମୋ ପୁତ୍ର ନାତିଙ୍କି କାହିଁ ରଖିଲେ ସେ ନେଇ

ବିଚାରି ମୁଁ କିଛି ସ୍ଥିର କରିପାରୁ ନାହିଁ ।

କାହିଁ ଭୁଲାଇ ପୁତ୍ରଙ୍କୁ ମୋର ଲୁଚାଇଲେ

କହ ତୁହି ମନ୍ତ୍ରୀବର ମନେ ପାଞ୍ଚି ଭଲେ ।

ସୁବିଜ୍ଞ ବୋଲେ ଶୁଣିମା ହେଉ ନୃପସାଇଁ

ଅଧୈର୍ଯ୍ୟ ନୋହିଲେ କଥା ଏକ କହିବଇଁ ।

ଚାରିଦିଗକୁ ପେଶିବା ଏବେ ଦୂତ ଜାଣ

ତେବେ ସିନା ସବୁ କଥା ଜାଣିମ ତକ୍ଷଣ ।

ଶୁଣିଣ ବୋଇଲା ମୃରାସୁର ସତ୍ୟ ସତ୍ୟ

ଚାରିଦିଗକୁ ଏବେ ହୋ ପେଷ ବେଗେ ଦୂତ ।

କେ ଆଜି ଆସିବ କେ ଆସିବ ଯେ କାଲି

ବିଳମ୍ବ ନ କରି ଶିଘ୍ରେ ଆସନ୍ତୁ ଯେ ବୁଲି ।

ଦୂତ ଆସିବାଯାଏ ନ କରେ ସ୍ନାନ ପୁଣି

ପେଷ ବେଗେ ଦୂତ କହନ୍ତି ଯେ ତଥ୍ୟବାଣୀ ।

ଶୁଣିଣ ପେଷିଲା ମନ୍ତ୍ରୀବର ବେଗେ ଦୂତ

ରାଜାର ଛାମୁରେ ଆସି କହିବ ଯେ ସତ୍ୟ ।

ଏହି ଲାଗେ ଯାଅ ବେଗେ ଦଶଦିଗ ବୁଲି

କେହୁ ବା ଆଜ ଆସ କେ ଅବା ଆସକାଲି ।

ଶୁଣିକରି ଚାରଗଣେ ହେଲେ ବେଗେ ସଜ

ଅଶ୍ୱଚଢି ବୁଲିଲେକ ଯାଇ ରାଜ୍ୟ ରାଜ୍ୟ ।

ଛତିଶ ଗଡ଼ ପାଟଣା ମଠ ପେଣ୍ଠ ନଗ୍ର

ଆସନ୍ତି କନ୍ଦି ବିକନ୍ଦି ଖୋଜି ବୁଲି ବ୍ୟଗ୍ର ।

ତଡ଼ାଗ ପୁରୁଣାବାସ ଜୀର୍ଣ୍ଣକୂପ ଆଦି

ଜଙ୍ଗଲ ବନ କନ୍ଦର ଆଉ ନଦ ନଦୀ ।

ତ୍ରିପୁରଯାକ ବୁଲି ସେ ଅଗମ୍ୟେ ପଶିଲେ

ଚିହ୍ନ ବର୍ଣ୍ଣ କେଉଁଠାରେ କିଛି ନ ଦେଖିଲେ ।

ଏଥୁ ଅନନ୍ତରେ ସର୍ବେ ରାଜାଙ୍କୁ ପ୍ରବୋଧି

ସଭାକୁ ନେଇ କହନ୍ତି ଭିନ୍ନ ଭିନ୍ନ ବୁଦ୍ଧି ।

ସୁବିଜ୍ଞ ମନ୍ତ୍ରୀ ବିକଣ୍ଠ ଆଉ କଣ୍ଠ ଯେନା

ସସସ୍ତେ କହନ୍ତି ତାକୁ ବାହ୍ୟ ପ୍ରବୋଧନା ।

ବୋଲନ୍ତି ଭୋ ରାଜା ଏବେ ମନ୍ଦିରକୁ ଚାଲ

ବୋଧି ରାଣୀଙ୍କୁ କହିବା କିଛି କଥା ଭଲ ।

ଶୁଣିଣ ସବୁରି ବୋଲ ମୃରାସୁର ମାନି

ଚାଲେ ଧୀରେ ଧୀରେ ସଙ୍ଗେ ଭାଇଙ୍କୁ ଯେ ଘେନି ।

ସେନାପତି ଗଣ ମଧ୍ୟ ଚାଲୁଛନ୍ତି ସଙ୍ଗେ

ଚାଲନ୍ତି ଯେ ଶୁକ୍ରମୁନି ରାଜା ଆଗେ ଆଗେ ।

ଅନ୍ତଃପୁର ମନ୍ଦିରେ ଯେ ହୋଇଲେ ପ୍ରବେଶ

ଆରତରେ ରୁଦନ୍ତି ସେ ସର୍ବ ରାଣୀହଂସ ।

ସବୁଙ୍କୁ କହନ୍ତି ଶୁକ୍ରମୁନି ତିଆରିଣ

ବୋଲନ୍ତି ବୁଝିବାଯାଏ ନକର କାରୁଣ୍ୟ ।

କୃଷ୍ଣବଲ୍ଲଭ ପୁତ୍ରେ କୁହୁକ କରିଲେ

ମାୟାଜାଲେ କୁମରଙ୍କୁ ଲୁଚାଇ ରଖିଲେ ।

ଏଣୁକରି ତୁମ୍ଭେ କେହି ନ କର ରୋଦନ

କାଲିକି ଯେ ଜଣାଯିବ ସ୍ଥିର କଥାମାନ ।

ଏରୂପେ କହି ଥୋକାଏ ଗୁରୁ କଲେ ବୋଧ

କହନ୍ତି ଚତୁରାନନ ଶୁଣନ୍ତି ନାରଦ ।

ସେଦିନ ଅସୁର ରାଜା ନ କଲା ମଣୋହି।

ରହିଲାକ ଉପବାସେ ଦୂତଙ୍କୁ ସେ ଚାହିଁ ।

ଶୀତଳ ଦ୍ରବ୍ୟ ସାରିଣ ରାତ୍ର ପୁହାଇଲେ।

ଏଥୁଅନନ୍ତରେ ଚାରେ ପ୍ରବେଶ ହୋଇଲେ ।

ପଶ୍ଚିମ ପୂର୍ବ ଦକ୍ଷିଣ ଦିଗରୁ ହେ ଚାରେ।

ପ୍ରବେଶ ହୋଇଲେ ଆସି ରାଜାଙ୍କ ଛାମୁରେ ।

ବୋଇଲେ ଶୁଣ ହେ ରାଜା ବୁଲି ବୁଲି ମହୀ।

ତୋ ପୁତ୍ରଙ୍କ ଚିହ୍ନ ବର୍ଣ୍ଣ ନ ଦେଖିଲୁ କାହିଁ ।

ଶୁଣି ମୃରାସୁର ବୋଲି କ୍ଷଣେ ମଥା ପୋତି।

ବୋଇଲା ସେ କାହିଁଗଲେ ଏତେ ପୁତ୍ରନାତି ।

କୃଷ୍ଣବଲ୍ଲଭର ପୁତ୍ର ଗଲେ ମଧ୍ୟ କାହିଁ।

ମୋତେହିଁ ସେ ମନ୍ଦ ପାଞ୍ଚି ରହିଲେ କି ମହୀ ।

ଏରୂପେ କରନ୍ତେ ମୃରାସୁର ମନ ଦୁଃଖ

ମିଳିଲେ ଉତ୍ତରଦିଗ ଚାର ଆସି ପାଖ ।

ଘଣ୍ଟାରବ ମୃଗ ପ୍ରାୟେ ଛନ୍ତି ସର୍ବେ ଚାହିଁ

ଉତ୍ତର ଦିଗରେ ଚାର ଆସି ବାର୍ତ୍ତା କହି ।

ବୋଇଲେ ଶୁଣ ହୋ ଦେବ ଦୈତ୍ୟ କୁଳରାୟେ ।

ପୁତ୍ର ମାରିଗଲେ କୃଷ୍ଣବଲ୍ଲଭର ପୋଏ ।

ଦେଖିଲୁ ବଦ୍ରିକାଶ୍ରମେ ଛନ୍ତି ଦୁହେଁ ବସି।

ଆବର ବନ୍ଧୁ ଅଛନ୍ତି ଗଡ଼ତୋଟା ମିଶି ।

ହୋଇଛି ପ୍ରାଚେରି କାନ୍ଥ ଦଶଯୁଣ ଉଚ୍ଚ।

ବେନିକୋଶ ଓ ସାରରେ ବସେ ଗଡ଼ ସଞ୍ଚ ।

ତୁମ୍ଭ ପୁତ୍ରକୁ ପଢ଼ାଉଥିଲେ ବିଦ୍ୟା ଯେହୁ ।

ଦେଖିଲୁ ସେ ଶଙ୍ଖ ଚକ୍ର ଗଦା ପଦ୍ମବାହୁ ।

ଗରୁଡ଼ ବୋଲି ଅଛଇ ପାଶେ ପକ୍ଷୀ ଜଣେ

ତାହାରି ହାତେ ମରାଇ ଗଲେ ନାରାୟଣେ ।

ବାତାଘାତେ ସମସ୍ତଙ୍କୁ ଉଡ଼ାଇ ସେ ନେଲା

ସମୁଦ୍ରେ ପକାଇ ସେହୁ ମାଡ଼ିଣ ବସିଲା ।

ଥଣ୍ଟମୁନେ ହାଣି ହାଣି ପାଦେ ଦେଲା ମାଡ଼ି

ଗୋଟିଏ କେହି ଉବୁରି ନାହାନ୍ତି ବାହୁଡ଼ି ।

ମହୀକର୍ଣ୍ଣ ପୁତ୍ର ଏକା କଲା ଯେତେ ଯୁଦ୍ଧ

କପାଳ ଫୁଟାଇ ପ୍ରାଣ ନେଲା ପକ୍ଷୀ ମନ୍ଦ ।

ବେନିଫାଳ କରି ସମୂଦ୍ରକୁ ଫିଙ୍ଗିଦେଲା

ବଲ୍ଲଭ ପୁଅଙ୍କୁ ତହୁଁ ବହିଣ ଆଣିଲା ।

ବଦ୍ରିକାନଗ୍ରରେ ଆସି ହୁଅନ୍ତେ ପ୍ରବେଶ

ଏକାଦାତ୍ରକେ ବାନ୍ଧିଲେ ଗଡ଼ ହୃଷିକେଶ ।

ଏରୂପେ ବଦ୍ରିକାଲୋକ ହ୍ୱନ୍ତି କୁହାକୁହି

ଏକଥା ଶୁଣି ଅଇଲୁ ଆମ୍ଭେ ବେଗେ ଧାଇଁ ।

ପୁତ୍ରଙ୍କର ମୃତ୍ୟୁ ସମ୍ବାଦ ଶୁଣି ମୁର ଓ ରାଣୀମାନଙ୍କର ଶୋକ ଏବଂ ପୁତ୍ରବଧୂମାନଙ୍କର ଦେହତ୍ୟାଗ

ଶୁଣିଣ ପଡ଼ିଲା ମୃରାସୁର ମହୀ ଲେଟି।

ଘଡ଼ିକେ ଚେତନା ପାଇ ଉଠିଲା କୁହାଟି ।

ନିର୍ଘାତ ପ୍ରାୟ ପଡ଼ିଲା ପୁଣି ହୋଇ ଛେଚି।

ଶବ ପଡ଼ିଲା ପ୍ରାୟ ସେ ଭୂମିରେ ପଡ଼ିଛି ।

ଭାଇ ଅସାଷ୍ଟାମ ଦେଖି ଧାଇଁଲା ଦାରୁଣ।

ସୁବାସ ଜଳ ସିଞ୍ଚିଲା ନେଇ ଉପରେଣ ।

ସାଷ୍ଟାମ ହୋଇ ବସିଲା ପୁଣି ମୁର ଉଠି।

ଦାରୁଣ ଶୋକ ବାଣୀ ନ ସରେ କହିଲେଟି ।

ରାଣହଂସପୁରେ ଡ଼କା ପଡ଼େ ଅନିର୍ଯ୍ୟାପ।

କେ ବୋଧି ପାରିବ କହି ସ୍ତିରୀଙ୍କ ବିଳାପ ।

ସ୍ତିରୀଙ୍କ ରୋଦନେ ଘର ପଡ଼ଇ ଓଲଟି।

ସେ ଶୋକ ଶୁଣିଲା ଲୋକ ହୃଦଯାଏ ଫାଟି ।

ରାଣୀଙ୍କ ରୋଦନ ଶୁଣି ମୃରାସୁର ରାଜା

କାନ୍ଦଇ ବାହୁନି ଦୁଃଖ କରି ସବୁ ତେଜ୍ୟା ।

ବୋଲଇ ଆରେରେ ମୋର ପୂତ୍ର କୁଳଦୀପ

ବଲ୍ଲଭର ପୋଏ ମୋତେ ହେଲେ କାଳସର୍ପ ।

କେବଣ ଘରେ ମରୁଡ଼ି କାର ଏତେ ଅଛି ।

ନବଲକ୍ଷ ନାତି ସପ୍ତଦଶ ଲକ୍ଷ ବତ୍ସି ।

ଘର ମୋର କଲା ଶୂନ୍ୟ ଡାକ କଲା ଶୂନ୍ୟ

କା ନାମ ଧରି ଡାକିବି ଆଉ ପ୍ରତିଦିନ ।

ଏକା ବେଳକେରେ ମୋର ବୁଡ଼ାଇଲ ବଂଶ

କି ବୋଲି ସଭାରେ ମୁହିଁ ମୋଡ଼ିବଇ ନିଶ ।

କାହା ନାମ ଧରି ଡ଼ାକିବି ରେ ଦାଣ୍ଡେ ଯଇ

ଜଣେ ହେଲେ ବର୍ତ୍ତି ତହୁଁ ନ ଆସିଲେ କେହି ।

ଏକାବେଳେକେ ମୋତେ ରେ ଅପୁତ୍ରିକ କଲ

ନାତିଆଡ଼ୁ ବଂଶ ମୋର ଛିଣ୍ଡାଇଣ ଦେଲ ।

ଆଖି ଥାଉଁ ଥାଉଁ ଅନ୍ଧ କରି ଗଲ ମୋତେ

ଦିନେ ବାଦରାପକ୍ଷୀକି ନ ଦିଶେ ଯେମନ୍ତେ ।

ତୁମ୍ଭବିନା ବଞ୍ଚିବି କି ଆଉ ଦେହ ଧରି

ବର୍ତ୍ତିବ କାହାରି ବାପ ଏତେ ପୁତ ମାରି ।

ହେଲାରେ ପ୍ରଳୟ ବୁଡ଼ିଗଲା ସମରାଷ୍ଟ୍ର

ଚାଲିବି ଶତ୍ରୁମାନଙ୍କୁ ଚାହିଁ କେହ୍ନେ ବାଟ ।

କାହାର ଘରେ ଶୁଣିଛ ଏଡ଼େକ ମରୁଡ଼ି

ମାସେ ପକ୍ଷେ ନୁହେଁ ଗଲେ କ୍ଷଣକରେ ଛାଡ଼ି ।

ଶତ୍ରୁମାନଙ୍କର କାଢ ଉଠିଆ ହୋଇଲା

ଯାହା ପାଞ୍ଚିଥିଲେ ତାହା ଧାତା ଆଣି କଲା ।

ଆରେ ଆରେ ମହୀକର୍ଣ୍ଣ ଆରେ ମିତ୍ରଲାଭ

ତୁମ୍ଭଙ୍କୁ ମୁର୍ଚ୍ଛି ରହିବି ମୁହିଁ କେଉଁ ଠାବ ।

ସଂସାରେ ହେଲାରୁ ତୁମ୍ଭେ ଧର୍ମବନ୍ତ ପରା

ଅଖଡ଼େ ଗଲ ମରି ନ କରି ପରଦାରା ।

ଋଷିମାନଙ୍କର ଘର ପୋଡ଼ିଥାନ୍ତି ଯେବେ

ତେବେ ସେ ବର୍ଦ୍ଧୁତେ ସର୍ବେ ରହିଥାନ୍ତ ଶୁଭେ ।

ଭଜନେ ବିପ୍ରଙ୍କୁ ବିଷ ଭରି ଯେବେ ଦ୍ୟନ୍ତି

ଯେ ମଲେ ତୁମ୍ଭେ ବର୍ଦ୍ଧୁତେ ଜାଣ ରହିଥାନ୍ତ ।

ଋଷି ପୁତ୍ରମାନଙ୍କୁ ନ ଥିଲି କି ରେ ମୋଡ଼ି

ଶାସନ ଗ୍ରାମମାନ ନ ଥିଲ କି ରେ ପୋଡ଼ି ।

ଗର୍ଭିଣୀ ସ୍ତିରୀ ଖୋଜି ନ ଥିଲ କି ରେ ହାଣି

ଦେବ ଆଳମାନଙ୍କରେ ନ ଦେଲ କି ଶୋଣି ।

ଅଗ୍ନିରେ ହୋମ କରି କି ପରିସ୍ରା ନ କଲ

ମାନନୀୟା ସ୍ତିରୀଙ୍କୁ କି ଗର୍ବେ ନ ହରିଲ ।

ମିତ୍ରପତୀ ମାନଙ୍କୁରେ ନ କଲ ରମଣୀ

ସଭାରେ ବସି ସପକ୍ଷେ ନ କହିଲ ବାଣୀ ।

ବିଧବା ବ୍ରାହ୍ମଣୀଗଣ କିବା ନ ହରିଲ

ପଥୁକିମାନଙ୍କୁ ତୁମ୍ଭେ କିବା ନ ବଧିଲ ।

ଗୋହତ୍ୟା ବ୍ରହ୍ମହତ୍ୟା ଯେ ସ୍ତିରୀହତ୍ୟା ତିନି

ଏହା ନ କରି ରହିଲ କିପାଁ ହୋଇ ତୁନି ।

ତେଣୁକରି ଅପମୃତ୍ୟୁ ଲଭିଲ ରେ ବାପ

କିରୂପେ ରହିବି ମୁଁ ନ ଦେଖି ତୁମ୍ଭ ରୂପ ।

ଗନ୍ଧର୍ବ ସଭାପ୍ରାୟ ମୋ ପାଖେ ଥାଅ ବସି

ଦେଖିଣ ସୁଜନେ ତାହା ହେଉଥାନ୍ତି ତୋଷି ।

ବୋଲନ୍ତି ନାହିଁ କେ ମୁର ପ୍ରାୟେ ଭାଗ୍ୟବନ୍ତ

କରୁଅଛି ଭଲା ଭୋଗ ଘେନି ଦାରାସୁତ ।

ଚାରି ଜାତିରେ କେହି ଏ ଭୋଗ କରି ନାହିଁ

ବ୍ରହ୍ମ କ୍ଷତ୍ରୀ ବୈଶ୍ୟ ଶୂଦ୍ର ଛନ୍ତି ଯେତେ ରହି ।

ସେ ଭୋଗଯାକ ନେଲ ରେ ଏବେ ମୋର ବଳା

ଅଗାଧ ସମୂଦ୍ରେ ମୋର ବୁଡ଼ାଇଲେ ଭେଳା ।

କଲ ରେ କେଡ଼େ ନିସଖା ମୋତେ ପୁତ୍ରମଣି

ବଲ୍ଲଭ ପୁତ୍ରଙ୍କୁ ଏବେ କିଏ ଦେବ ଆଣି ।

ମୋର ପୁତ୍ରକୁ ମାରି ସେ ଯେବେ ବର୍ତ୍ତିଗଲେ

ଆତ୍ମା ବିକଳ ହୋଇବ ତାଙ୍କୁ ଦେଖୁଥିଲେ ।

ଆଉ ମୁହଁ ଦେଖିବି କି ନେତ୍ରେ କୁମରଙ୍କୁ

ସଭା ଅମଙ୍ଗଳ ମୋର ଦିଶିବ ଶତ୍ରୁଙ୍କୁ ।

ସର୍ପକୁ ଯେ ଦୁଧ ଦେଲେ ତାହା ହୁଏ ବିଷ

ବିପ୍ରଙ୍କୁ ଯେ ବସାଦେଲେ ହୁଏ କୂଳନାଶ ।

କିମ୍ପା ବିପ୍ରଙ୍କୁ ଆଣିଲି ମୁହିଁ ଗୁରୁ କରି

ଶିଖାଇ ବସାଇ ମୋର ପୁତ୍ର ଗଲେ ମାରି ।

ଅଟଇ ଅଜ୍ଞାତ କୁଳଶୀଳ ଯେଉଁ ଲୋକ

ତାକୁ ବସା ଦେଲେ କାଳେ ହୁଏ ସେ କଣ୍ଟକ ।

ଆରେ ଆରେ ପୁତ୍ର ମୋର ଅଟୁ କୁଳଦୀପ

ପୃଥ୍ୱୀଯାକ ଏକାକୀ ମୁଁ ଅର୍ଜିଥିଲି ପାପ ।

ମଦନାବତୀ ରାଣୀ ନ ଥିବ ପରା ପ୍ରାଣେ

ପୁତ୍ର ଶୋକ କରି ମରିଥିବ ଅକାରଣେ ।

ପିତାଠାରୁ ମାତା ଶୋକ ଦ୍ୱିଗୁଣ ବଳଇ

କେତେକ ଯେ ବୋଧୁଥିଲେ ଶାନ୍ତି ନ ଭଜଇ ।

ସମସ୍ତ ଦୁଃଖରୁ ପୁତ୍ର ଦୁଃଖ ବଡ଼ କାଟେ

ନିଲ୍ଲର୍ଜ ଆତ୍ମା ରହିଛି କିମ୍ପା ମୋର ଘଟେ ।

ଏରୂପେ ବୋଲି ଭୂଇଁରେ ପଡ଼ନ୍ତେ ସେ ଢଳି

କାଙ୍କୋଳାସୁର ଧଇଲା ଯାଇଁ କରେ ତୋଳି।

ଆରେ ଆରେ ପୁତ୍ର ବୋଲି ମୁର୍ଚ୍ଛା ଯାଇ ପଡ଼ି ।

ମୃତଜନ ପ୍ରାୟେ ଗଲା ତା ନାଟିକା ଛାଡ଼ି ।

ରହିଲା ସ୍ଥାବର ପ୍ରାୟେ ପୁଣି ସ୍ଥିର ହୋଇ

ଘଡ଼ିକେ ବସିଲା ଚେତା ପାଇ ନୃପସାଇଁ ।

ବୁକୁ ଦମ ଦମ କରି ଛାଡ଼ଇ ନିଃଶ୍ୱାସ

କାନ୍ଦି କାନ୍ଦି ନ ପାରି ଯେ ଚାହିଁ ଦଶଦିଶ ।

ମହାକ୍ରୋଧ ହୋଇ ମହାଶୋକଜଳେ ପଡ଼ି

ଦଣ୍ଡକେ ଛାଡ଼ଇ ପୁଣି ଉଚ୍ଚେ ଘୋର ରଡ଼ି ।

ଆରେ ଆରେ ମହୀକର୍ଣ୍ଣ ଆରେ ମିତ୍ରଲାଭ

ବଜ୍ରଶର ଧରି କି ନ ଥିଲ ହୋଇ ଦମ୍ଭ ।

ଆରେ ଆରେ ମୁଘକେତୁ ଆରେ ମହୀଧର

ତୁମ୍ଭଙ୍କୁ ମୂର୍ଛି ରଖିବି କେହ୍ନେ କଳେବର ।

ଜଣ ଜଣକେ ଅଟ ମୋ କୁଳର ଦୁଲଣା

ଏକାବେଳକରେ ମରି ମୋତେ କଲ ବଣା ।

ଦିନେ ମୁଁ ତୁମ୍ଭର ଅଳି ସହି ନାହିଁ ବାବୁ

ମୂଳ ସହିତରେ ଟାଳିଦେଲେ ବୃକ୍ଷ ସବୁ ।

ବୁଝିଲେ ପୁତ୍ର ମେହର ଅଟ ସଭାଯୋଗ୍ୟ

ବୁଦ୍ଧିରେ ଯେ ବୃହସ୍ପତି ସମ ଅଟ ପ୍ରାଜ୍ଞ ।

କ୍ଷତ୍ରୀପଣେ ପର୍ଶୁରାମ ପ୍ରାୟେକ ଯେ ଅଟ

କନ୍ଦର୍ପ ରୂପକୁ ଜିଣି ଦ୍ୱିଗୁଣ ମୁରାଟ ।

ବିଦ୍ୟାପଣରେ ଗଣେଶ ପ୍ରାୟ ତୁମ୍ଭ ବୁଦ୍ଧି

ଦୟା କଥାରେ ଯେ ଅଟ କରୁଣା ବରିଧି ।

ସୁମୂର୍ତ୍ତିପଣେ ଗନ୍ଧର୍ବ ପ୍ରାୟ ତୁମ୍ଭେ ଦିଶ

ତୁମ୍ଭେ ଗୁଣ ଗୁଣି ମୋର ଉଡ଼ୁଛି ସାହସ ।

କାର ଗଜ ନିଶ କେହୁ ତିରିଶବର୍ଷିଆ

କେ ଧେନୁ ବାହୁଦା କେହୁ ବଡ଼ଚକାଡ଼ିଆ ।

କେ ସଭାପଣ୍ଡିତ କେହୁ ନ୍ୟାୟ ରୀତିରଞ୍ଜା

କେ ମୋର କୁଳନନ୍ଦନ ରଣରକ୍ଷରାଜା ।

କେ ଦିଗ ବାରଣ କେହୁ ରାଜନୀତି ଘେନା

କେ ରିପୁବଳଗଞ୍ଜା କେ ବୀରମର୍ଦ୍ଦବାନା ।

କେବଣ ଦିନେ ମୁଁ ପାପ ଅର୍ଜିଥିଲି ବାପ

ମୋତେ ଏକା ପଡ଼ିଲାକ ବିନଶ୍ୟତି ଶାପ ।

ଯେବଣ ବରଟି ମୋତେ ଥିଲେ ହର ଦେଇ

ବିଷ୍ଣୁର ହାତେ ନ ମରୁ ମଲ ଆଗ ହୋଇ ।

ଏରୂପେ ବୋଲି ରୋଦନ ସେହୁ କରୁ କରୁ

ଶୁଭିଲା ଉଚ୍ଚେ କାନ୍ଦଣା ରାଣୀ ହଂସ ପୁରୁ ।

ଆରେ ଆରେ ପୁତ୍ର ବୋଲି କରିଣ ରୋଦନ

ଗଡ଼ନ୍ତି ଭୂମିରେ ପଡ଼ି ହୋଇ ଅଚେତନ ।

ବାହୁନି କାନ୍ଦନ୍ତି ଗୁଣମାନ ଭୂମି ଲୋଟି

ଆମ୍ଭର ଆତ୍ମା ହୃଦୟ ନ ଗଲାଟି ଫାଟି ।

ଆରେ ଆରେ ପୁତ୍ରମାନେ ଅଟ କୁଳଦୀପ

ଆମ୍ଭର ମୁହାଁସ ଛାଡ଼ିଗଲା ଆରେ ବାପ ।

କେ ରାଣୀ ବୋଲେ ଭାଜିଲା ଆମ୍ଭର ଯେ ବପୁ

ଆଖଡ଼ାରେ ମଲେ ପୁତ୍ରେ କେଉଁ ବ୍ରହ୍ମଶାପୁଁ ।

କେ ବୋଲଇ ଆରେ ପୁତ୍ର ଗଲ କେଣେ ଛାଡ଼ି

ଆମ୍ଭର ମୁଣ୍ହେ ଚଡ଼କ ପଡ଼ୁ ବେଗେ ମାଡ଼ି।

କେ ବୋଲଇ କେଡ଼େ କଥା କଲ ବାଳବତ୍ସି

ମନ୍ଦିରମାନଙ୍କୁ ତୁଚ୍ଛା କରିଗଲ ମୂର୍ଚ୍ଛି ।

କେ ବୋଲଇ ନବଯୁବା ପତ୍ନୀଗଲ ଛାଡ଼ି

କେ ଏବେ ପିନ୍ଧିବ ତାଙ୍କ ଅଷ୍ଟରତ୍ନ ଚଡ଼ି ।

କେ ବୋଇଲା ମଲା ମୋର ଏକଇର ବତ୍ସି

କି କରିବ ମାତା ବୋଲି ନ ଜାଣିଲା କିଛି ।

କେ ବୋଲଇ ବେନିଗୋଟି ପୁତ୍ର ମୋର ମଲେ

କେ ବୋଲଇ ତିନିପୁତ୍ର ମୋତେ ଛାଡ଼ିଗଲେ ।

କୋବୋଲେ ଚାରୋଟି କେହୁ ବୋଲେ ପାଞ୍ଚବଳା

ଏ ରୂପେ ରୋଦନ କରି କାନ୍ଦନ୍ତି ଅବଳା ।

ମଦନାବତୀ ରାଣୀର ପାଞ୍ଚପୁତ୍ର ମଲେ

ମହୀକର୍ଣ୍ଣ ମିତ୍ରଲାଭ ମୃଘକେତୁ ତୁଲେ ।

ମଦନ ଯେ ମନସିଜ ଏହି ପାଞ୍ଚବଳା

ପୁତ୍ରଙ୍କ ଶୋକରେ ରାଣୀ କାନ୍ଦେ ଅନର୍ଗଳା ।

ଭୂମିରେ ସେ ଗଡ଼ି ଗଡ଼ି ଉଠେ ରଡ଼ିପାଡ଼ି

ସୁତିଲା ନିର୍ଜୀବ ପ୍ରାୟେ ହୋଇ ଶଯ୍ୟା ଛାଡ଼ି ।

ପୋଇଲି ପରିବାରୀ ସେ ଦାସୀ ମୃଦୁସୁଲୀ

ସର୍ବେ ଟେକିଣ ଧରନ୍ତି ରାଣୀ ଉଠ ବୋଲି ।

ପୁତ୍ରଙ୍କ ଶୋକେ ରାଣୀ ନ ଶୁଣେ କାର ବାଣୀ

ନିର୍ଜୀବ ଲୋକ ପରାୟ ଶୋଇଛି ସେ ପୁଣି ।

ଖବର ପାଇ ବିଜୟ କଲେ ଶୁକ୍ର ଆସି

ଗୁରୁଙ୍କୁ ଦେଖି ଅଲଗା ହୋଇ ସର୍ବେ ବସି ।

ରାଣୀଙ୍କ ଛାମୁରେ ଆସନେ ଗୁରୁ ବିଜେ କଲେ

ରାଣୀକି କୋମଳ ବାକ୍ୟ କହି ଉଠାଇଲେ ।

ଗୁରୁଙ୍କ ବାକ୍ୟ ମଦନାବତୀ ରାଣୀ ଶୁଣି

ବସିଲାକ ମଥା ପୋତି ଗଣ୍ଡେ ଦେଇ ପାଣି ।

ପୁତ୍ରର ଶୋକେ ସେ କଷ୍ଟୀ ହୋଇ ମହାଦେଈ

ବସିଲାକ ସଲ୍ଲଜରେ ଗୁରୁପାଦ ଧ୍ୟାୟି ।

ବୋଇଲେକ ରାଣୀ ଏବେ ଦେହ ତୋର ରଖ

ବୁଝିଲେ ସଂସାରେ ନାହିଁ ପୁତ୍ରଶୋକୁଁ ଦୁଃଖ ।

ସୁପଣ୍ଡିତ ଲୋକମାନେ ଶୋକ ନ କରନ୍ତି

ଜୀବର ଗତାଗତକୁ ଏକା ସେ ଜାଣନ୍ତି ।

ଜୀବ ଜନ୍ମ ହୁଏ ମୃତ୍ୟୁପଥ ରଖି ଆଗ

ମୃତ୍ୟୁକୁ ଆଗେ ରଖିଣ ଧରେ ଦେହ ବେଗ ।

ଜୀବର ନିୟମ ଏହି ଅଟେ ଜାଣ ତୁହି

ଜନ୍ମ ହେଲାରୁ ସେ ଜୀବ ମୃତ୍ୟୁ ସଙ୍ଗେ ଥାଇ ।

ଜୀବର ଜନ୍ମ ନିୟମ ଅଟେ ବେନିପଥ

ନିତ୍ୟେ ତାହାର ସାଧନା ଅଟେ ଅନୁବ୍ରତ ।

ଏ ଘେନି ପଣ୍ଡିତ ଜନେ ଶୋକ ନ କରନ୍ତି

ବୋଲନ୍ତି କେ କାହା ପୁତ୍ରକେ କାହାର ନାତି ।

ତୁହି ତା ସ୍ତିରୀ କୁଳକୁ ଅଟୁ ଲକ୍ଷ୍ମୀ ଦ୍ୱିଜା

ପିତାଙ୍କ ନାମ ତୋହର କେଶରୀ ଯେ ରାଜା ।

ଶାଳକୀ ଦ୍ୱୀପରେ ସେହ ଅଟେ ଚକ୍ରବର୍ତ୍ତୀ

ପଣ୍ଡିତ ପଣକୁ ପୁଣି କିବା ବୃହସ୍ପତି ।

ସକଳ ଶାସ୍ତ୍ରରେ ଜ୍ଞନୀ ଅଟେ ମହାରାଜା

କରନ୍ତି ଯେ ପାଞ୍ଚଲକ୍ଷ ନୃପ ପାଦପୂଜା ।

ଏମନ୍ତ ମହାରାଜାର ଅଟୁ ତୁ ଦୁଲଣୀ

ପ୍ରତ୍ୟକ୍ଷେ ପଦ୍ମିନୀ ତୁହି ନାରୀ ଶିରୋମଣି ।

କମଳା ପାର୍ବତୀ ପ୍ରାୟ ଅଟେ ତୋର ବୁଦ୍ଧି

ତୋତେ କେ ବୋଧିବ ତୁହି ସବୁପାରୁ ବୋଧି ।

ତୋହର ଲକ୍ଷଣ ଘେନି ରାଜାର ଏ ଯଶ

ଯାବତ ପୃଥିବୀ ଜିଣି ହେଲା ନୃପ ଈଶ ।

ବ୍ରହ୍ମାଦି ଶଙ୍କର ତୋତେ କରନ୍ତି ଯେ ଧନ୍ୟ

ପୁଣ୍ୟବତୀ ସ୍ତିରୀ ବୋଲି ବୋଲନ୍ତି ସୁଜନ ।

ପୃଥ୍ୱୀରେ ଯାହାକୁ ଜାଣ ସର୍ବେ ହୋନ୍ତି ତୋଷ

ତାହା ପ୍ରାୟ ଭାଗ୍ୟବନ୍ତ ନ ମିଳେ ମନୁଷ୍ୟ ।

ସ୍ତିରୀରତ୍ନ ହୋଇ ତୁ ଏକଥା ପାଞ୍ଚୁ ନାହୁଁ

ଏରୂପେ ଗଲେଣି କେତେ ସତୀ କାହୁଁ କାହୁଁ ।

ଏଡ଼େ ବଡ଼ ପୃଥିବୀକୁ ସର୍ଜିଲେ ଦଇବ

ପ୍ରଳୟ ହୋଇଲେ ପୁଣି ସେହି ନାଶ ଯିବ ।

କେହୁ ଜନ୍ମେ ଆଜି କେହୁ ମରେ କାଲିପରି

ଯେତେବେଳେ ଆସେ ଲେଖି ସତେ ଭୋଗକରି ।

ଜରା ମରଣ ଏ ସାର ଅଟେ ସର୍ବକାଳେ

ଅଭାଗ୍ୟ ଲୋକଟି ମଲା ପ୍ରାଣୀକୁ ଯେ ଭାଳେ ।

ଭଳିଲା କ୍ଷଣି ଆସନ୍ତା ଯେବେ ମଲାଲୋକ

ରହିବାକୁ ଠାବ କାହିଁ ହୋନ୍ତା ପୃଥ୍ୱୀଯାକ ।

ଆପଣେତ ଜୀଇଁଥିଲେ ସର୍ବ ଭୋଗ ଭୁଞ୍ଜେ

ପୁଣି ହିଁ ଦ୍ରବ୍ୟ ପଦାର୍ଥ ସୁତ ବିତ୍ତ ଅର୍ଜେ ।

ଏକଇ ଆତ୍ମା ଯେ ସବୁ ବୀର୍ଯ୍ୟହୋଇ ବ୍ୟାପେ

ପିତାମାତା ସୁତ ସୁତ ବହେ ନାମ ଆପେ ।

ପୁତ୍ର ଶୋକ ବୃଥା କରୁ କିମ୍ପା ଶଶୀମୁଖୀ

ତୋ ଦେହକୁ ଚିରକାଳ ପାରିବୁ କି ରଖି ।

 

ଯେ ସ୍ଥାନରୁ ଆତ୍ମା ଘେନି ପୁତ୍ରେ ଆସିଥିଲେ

ଲେଉଟି ପ୍ରବେଶ ଯାଇ ସେହିଠାରେ ହେଲେ ।

ଏ କଥାରେ ଆୟତ୍ତ ତ କାର ନୁହେଁ କିଛି

ଯେତେକ ସେ ଆଣି ଥାଏ ତେତେଥାଏ ଘୁଞ୍ଚି ।

ଜ୍ଞାନବତୀ ହୋଇ କେତେ ଶୋକ ତୁହି କରୁ

ଲୋଭ ମୋହ କାମ କ୍ରୋଧ ନ ତେଜ ହୃଦରୁ ।

ଯାହା କହିଲୁ ତୁମ୍ଭଙ୍କୁ ତାହା ସବୁ ଜାଣୁ

ଜାଣୁ ଜାଣୁ ଜୀବନକୁ ଅକାରଣ ମଣୁ ।

ସକଳ କଥା ଗୋଚର ତୋତେ ମହାଦେଈ

କ୍ଷତ୍ରିକୁଳେ ଜନ୍ମିଲେ କି ପ୍ରାଣେ ଆଶା ଥାଇ ।

ଅଟନ୍ତି କ୍ଷତ୍ରିୟ ସବୁ ପୁତ୍ରଯାକ ତୋର

କ୍ଷତ୍ରିୟ ମୃତ୍ୟୁରେ ଚିନ୍ତା ତୁ ଆଉ ନ କର ।

ଫଳିବ ବୃକ୍ଷ ସିନା ତୁ ଅଟୁ ମହାଦେଈ

ପୁଣି ସମୟରେ ପୁତ୍ର ଜନ୍ମିବେ ତୋ ଦେହୀ ।

ଆମ୍ଭେ ତୋତେ ତିଆରି ଯେ କହିବୁ କି ଜ୍ଞାନ

ତୋର ପରି ଯୁବତୀ ନ ମିଳେ ସ୍ତିରୀରତ୍ନ ।

ଏଡ଼େ ପଣ୍ଡିତା ହୋଇ ତୁ କିମ୍ପା ହେଉ ବଣା

ଶଯ୍ୟାରୁ ଉଠି ସ୍ୱାମୀକୁ ତୋର ଏବେ ଅଣା ।

ତିନିଦିନ ହୋଇଲାଣି ଛୁଇଁନାହିଁ ପାଣି

ଦେହେ ହେବ କ୍ଳେଶ ଉଠ ମୋର ବାକ୍ୟ ଶୁଣି ।

ଅତି ଚିନ୍ତା କଲେ ଦେହ ହୋଇଥାଏ କ୍ଳେଶ

ବସନରେ ଅଗ୍ନି ଲାଗି ଯେହ୍ନେ ହୁଏ ନାଶ ।

ଅତି ଧନ ହେଲେ କେଭେ ନ ରହେ ନିଶ୍ଚଳେ

ଅତି ବଳବନ୍ତ ଯେହୁ ପଡ଼ଇ ଅନଳେ ।

କେତେକ ଜନ ମରନ୍ତି ହୋଇ ମହାକ୍ରୋଧ

କେତେକ ଜନ ମରନ୍ତି ଘୋଟିଲେକ ବ୍ୟାଧି ।

ଅତିଶୟ ରତି କଲେ ଆୟୁ ହୁଏ ହାନି

ଅତି କପଟୀ ଲୋକକୁ ନ ସହେ ମେଦିନୀ ।

ଏହିରୂପେ ଶୁକ୍ରଗୁରୁ କହନ୍ତେ ତିଆରି

ଶୁଣିଣ ରାଣୀ ଘେନିଲେ ତାହା ବଡ଼ କରି ।

ହସ୍ତେ ଅର୍ଘ୍ୟ ଥାଳୀ ଧରି ରାଜାଛାମୁ ଗଲେ

ଚରଣ ସେବା କରିଣ ପାଦ ପଖାଳିଲେ ।

ବୋଇଲେ ଯେ ମନ୍ଦିରକୁ ବିଜେ କର ଏବେ

ଜୀଇଁଥିଲେ ସବୁ ଅଛି ଛାଡ଼ ଶୋକ ତେବେ ।

ତୁମ୍ଭେ ଶୁଭେ ଥିଲେ ମୋର ସବୁ କଥା ଅଛି

ମନେ କଲେତ ଆଣିବ ଭାର୍ଯ୍ୟା ଲକ୍ଷେ ବାଛି ।

ଆବର ଲେଉଟି କେତେ ପୁତ୍ର ହେବେ ଜନ୍ମ

ପତ୍ନୀକି ଅଟନ୍ତି ପତି ସିନା ବିଷ୍ଣୁସମ ।

ପତି ଅନ୍ତେ ସ୍ତିରୀ ଯେବେ ରହେ ଦେହ ଧରି ।

ତାର କୁଟୁମ୍ବଯାକକୁ ସେ ଅଟେ ଅଇରି।

ପତି ଅନ୍ତେ ସ୍ତିରୀ ଅଟେ ଅସୁରୀ ସମାନ

ବାରବ୍ରତ କଲେ ତରେ ନରକରୁ ପୁଣ ।

ପତିକୁ ନ ସେବି ଯେହୁ ଅନ୍ୟଦେବ ସେବେ

ସେ ଦେବ ତାକୁ ପ୍ରସନ୍ନ ନ ହୁଅନ୍ତି କେବେ ।

ସେବିଲେ ପତିକୁ ସେହୁ କ୍ଷଣେ ବର ଦ୍ୟନ୍ତି

ଗୃହସ୍ଥ ବିନେ ସ୍ତିରୀକୁ ନାହିଁ ଅନ୍ୟ ଗତି ।

ପତିସେବା ନ କରି ଯେ କରେ ଅନ୍ୟ ସେବା

ପିଶାଚୀ ବୋଲିଣ ସେହୁ ନାରୀକୁ ଲେଖିବା ।

ଜୀଇଣ ଥିଲେ ଗୃହସ୍ଥ କେତେ ପୁତ୍ର ହେବେ

ଫଳୁଥିବା ବୃକ୍ଷମାନେ ଲେଉଟି ଫଳିବେ ।

କେ କାହାର ପୁତ୍ର ପିତା କେ କାହାର ମାତା

ଯେସନେ ବୃକ୍ଷରେ ଫଳ ଫଳେ ଅପ୍ରମିତା ।

ବୃକ୍ଷର ଫଳ ଫଳିଣ ଯେହ୍ନେ ଯାନ୍ତି ଝଡ଼ି

ସେ ଫଳ ପଡ଼ିଲେ ଝଡ଼ି ଲାଗେ କି ବାହୁଡ଼ି ।

ପୁତ୍ର ପୁତ୍ରୀଙ୍କର ଜନ୍ମ ଅଟେ ସେହିମତ

ସମୁଦ୍ର ଲହରୀ ପ୍ରାୟ ହୋନ୍ତି ଆତଯାତ ।

ଦହନ ହେଲା କାଷ୍ଠ ନ ଦେଖି ଯେହ୍ନେ ଆଉ

ସେରୂପେ ଗଲେ ସେ ପୁତ୍ରେ ତୁମ୍ଭେ ଥାଉଁ ଥାଉଁ ।

ଏ ଆତ୍ମା ସବୁରି ଦେହେ ଥିଲେ ଲୋଭ ଥାଇଁ

ଆତ୍ମା ଗଲେ ଛାଡ଼ି କେହି କାହାରି ଯେ ନାହିଁ ।

ପଣ୍ଡିତ ଜନଙ୍କ ମୁଖୁଁ ଶୁଣିଛି ମୁଁ ଯାହା

ବୋଲନ୍ତି ଯେ ପତିପତ୍ନୀ ଅଟେ ଏକଦେହା ।

ତନୟ ନ ଥିବା ସ୍ତିରୀ ନୁହେ କାହିଁଲେଖା

ଡ଼ାଳ ନ ଥିବାର ବୃକ୍ଷ ଯେସନେ ନିଶାଖା ।

ଗୃହସ୍ଥ ନ ଥିବା ସ୍ତିରୀ ଅଟେ ନିରିମାଖି

ବିଧବା ହେଲେ ସଂସାରେ ସ୍ତିରୀ ବଡ଼ ଦୁଃଖୀ ।

ଯୁବତୀ ସ୍ତିରୀ ବିଧବା ହୋଇ ଯେବେ ରହି

ତାହାଠାରୁ ପାପୀହୋଇ ସଂସାରେ କେ ନାହିଁ ।

ଜୀବଥିବାଯାକ ତାର ପ୍ରାଣ ଅସର୍ଥକ

ସୁଲଭ ସ୍ତିରୀକି ଦେଖି ହୁଅଇ ବିମୁଖ ।

 

ବୋଲେ ଏହିରୂପେ ମୁହିଁ ବେଶ ହେଉଥାନ୍ତି

ଏରୂପେ ମନରେ ପାଞ୍ଚି ସୁକୃତ ନାଶନ୍ତି ।

ଦେଖି ଯୁବା ପୁରୁଷକୁ କାମେ ହୁଏ ଘାରି

ମନେ ପାଞ୍ଚି ରହଇ ସେ ଲାଜେ ଡରି ଡରି ।

ଦାଣ୍ଡରେ ଲୋକଙ୍କୁ ସେହୁ ଚାହିଁ ନିଏ ଦିନ

ବିଧାତାକୁ ନିନ୍ଦାକରି କରଇ ରୋଦନ ।

ସଂସାରକୁ ସଲ ସେହି ବିଧବା ରମଣୀ।

ସବୁ ବିଧବା ଏପରି ହୋଇବେ କି ପୁଣ ।

ବିଧବା ସ୍ତିରୀମାନେ ତ ସଂସାରକୁ ମାତା

ଏ କଥା ବେଦରେ ଲେଖି ଅଛନ୍ତି ବିଧାତା ।

ସଂସାରରେ ନିତ୍ୟାଚାର ନ ପାରେ ଯେ କରି

ମଲେ ନରକରେ ପଡ଼େ ସେ ବିଧବା ସ୍ତିରୀ ।

ପୁନରପି ଜନ୍ମିଲେ ସେ ହୁଏ ମହାପାପୀ

କେବଳ ତରଇ ସ୍ତିରୀ ହେଲେ ଶୁଦ୍ଧରୂପୀ ।

ବିଧବା ହୋଇଣ ଯେବେ ରହିବ ସଂସାରେ

ବ୍ରହ୍ମଚାରୀ ପରି ରହିଥିବ ନିତ୍ୟାଚାରେ ।

ଶୁଚିମନ୍ତ ହୋଇ କହୁଥିବ ସତ୍ୟବାଣୀ

ତ୍ୟାଗ କରି ଲୋଭ ମୋହ କାମ ହୃଦୁଁ ପୁଣି ।

ଦେହକୁ ବେଶ କରିଣ ନ ଚାଲିବ ଦାଣ୍ଡେ

ପିନ୍ଧୂଥିବ ସେହୁ ନିତ୍ୟ ଶୁକ୍ଳବସ୍ତ୍ର ଖଣ୍ଡେ ।

ତଇଳ ହଳଦୀ ଗନ୍ଧ ଦ୍ରବ୍ୟ ନ ଘେନିବ

ତାମ୍ବୁଳ ନ ଭୁଞ୍ଜି ଶିରେ ପୁଷ୍ପ ନ ମଣ୍ଡିବ ।

ଶରୀରରେ ଭୂଷଣ ନ ହେବ ଅଳଙ୍କାର

ହବିସ୍ୟ ଅନ୍ନ ଭୁଞ୍ଜିଣ ରଖିବ ଶରୀର ।

ଦେବତାଙ୍କ ପୂଜା କରି ହରି ଭଜୁଥିବ

ରୋଷଶାଳାକୁ ଗଲେ ସେ ପାଦ ପଖାଳିବ ।

ପରିସ୍ରା କଲେ ଘେନିବ ପାଣି ଅହୋରାତ୍ର

ମଳ ଉତ୍ସର୍ଗିଲେ ଧୋଉଥିବ ଅଣ୍ଟା ଗାତ୍ର ।

ମୃତ୍ତିକା ଘଷିବ ଦଶଥର ବାମହସ୍ତେ

ସପତଥର ଘେନିବ ପୁଣି ବେନି ହାତେ ।

ବେଳେ ଲଗାଇ ଉତ୍ପତ୍ତି ସ୍ଥାନେ ନିଷ୍ଠାକରି

ପଦରେ ଘେନିବ ତିନିଥର ଜଳଧରି ।

ମୂର୍ଖ ସ୍ତିରୀଙ୍କର ସଙ୍ଗେ ନୋହିବ ସେ ଗୋଷ୍ଠୀ

ପର ପୁରୁଷରେ ମନ ନ ଦେବ ଯେ ଦୃଷ୍ଟି ।

ଚିକ୍କଣ ମାଖି ନୋହିବ ଅଙ୍ଗେ କଦାଚିତ

ନଖକୁ ଚାହିଁଣ ଚାଲୁଥିବ ପଦଗତେ ।

 

କାହାରି ତୁଲେ ନୋହିବ କ୍ଷଣେ ପରିହାସ

ଭଜିବ ଗୁରୁଙ୍କୁ ସେବା କରି ପୀତବାସ ।

ପ୍ରଭାତ କାଳରୁ ଉଠି ସ୍ନାନ କରୁଥିବ

ସବୁରି ଚିତ୍ତକୁ ଘେନି ବାକ୍ୟ ପ୍ରକାଶିବ ।

ଶାଶୁ ଶ୍ୱଶୁରଙ୍କ ବାକ୍ୟ ଥିବ ସଦା ପାଳି

ରାତ୍ର ପ୍ରହରେ ଥାଉ ଭଜିବ ବନମାଳୀ ।

ଶ୍ରୀ ମଧୁସୂଦନ ନାମ ସଂକୀର୍ତ୍ତନ କରି।

ଭଜିବ ସେ ଅନୁକ୍ଷଣେ ରାମ କୃଷ୍ଣ ହରି ।

ହବିଷ୍ୟ କରିବ ଏକାଦଶୀ ନିଷ୍ଠାକର୍ମେ

ତରଇ ବିଧବା ସ୍ତିରୀ ଥିଲେ ଏତେ ଧର୍ମେ ।

ସେ ସ୍ତିରୀଙ୍କୁ ବ୍ରହ୍ମାଣ୍ଡରେ ବୋଲି ପୁଣ୍ୟ ଦେହୀ

ପତିକି ତାରଣ ସେହୁ ଆପେ ତରିଯାଇ ।

ଏହା ନ କରନ୍ତି ପତିହୀନ ସ୍ତିରୀ ଯେତେ

ମଲେ ସେହୁ ନରକରେ ପଡ଼େ ଦେହଅନ୍ତେ ।

ସେହି ସ୍ତିରୀ ନ ପାଇବ କେବେ ସଦଗତି

ସବୁ ଜନ୍ମେ ସ୍ୱାମୀହୀନ ସେହୁ ହେଉଥାନ୍ତି ।

ଶିଷ୍ୟକୁ ଗୁରୁ କରନ୍ତି ଯେହ୍ନେ ପରିତ୍ରାଣ

ଭାରିଯାକୁ ଗୃହସ୍ଥ ସେ ରୂପେ ଅଟେ ଜାଣ ।

ଅସମୟ କାଳରେଟି ଧୈର୍ଯ୍ୟ ଯେବେ ହେବ

ତାହାର ବୁଦ୍ଧିକି ସରି ନୁହନ୍ତି ଦଇବ ।

ଏହିରୂପେ ମୃରାସୁର ରାଣୀମୁଖୁ ଶୁଣି

ଅମୃତ ଦୃଷ୍ଟି କରିଣ ଭାଷେ ମଞ୍ଜୁବାଣୀ ।

ବୋଇଲେ ସଖୀରେ ତୁହି କହିଲୁ ଯେ କଥା

ଅମୃତପାନ ପ୍ରାୟେ ମୋ ଅଙ୍ଗୁଗଲା ବ୍ୟଥା ।

ହୋଇଲେ ଶୁଷ୍କକାଷ୍ଠ ତୋ ବାକ୍ୟେ ପଲ୍ଲବିବ

ଶୁଣିଲେ ବୃଦ୍ଧର ନବଯୁବା ଉପୁଜିବ ।

ପଡ଼ିବ ଅନୂଢାନାରୀଠାରୁ କ୍ଷୀର ବହି

ଶୁଣିଲାକ୍ଷଣି ସେ କ୍ଷୁଧା ତୃଷା ଯିବ କାହିଁ ।

ସାରଦା ମାତାଠାରୁ କେ ଅଛି ଆଉ ବଡ଼

ସେ ପୁଣି ନୋହିବେ ତୋର ବଚନରୁ ଗାଢ଼ ।

ତୋହର ବଚନକୁ ଯେ ସୁଧା ପ୍ରାୟ ମଣି

ଏତେ ଦିନରେ ଶୁଣିଲେ ତୋର ବାକ୍ୟ ଧ୍ୱନୀ ।

ମୋହର ତୋଠାରେ ଚିନ୍ତାମାନ ଥିଲା ରହି

ଏଥର ସେ ସବୁ ଦୂର ହେଲା ମହାଦେଈ ।

ଶୁଣିଲି ଅମୃତମୟ ବାକ୍ୟ ଏବେ ତୋର

ଲକ୍ଷେ ସିଂହର ଯେ ବଳ ହେଲା ଏବେ ମୋର ।

ବଧୂମାନଙ୍କୁ କରାଅ ଏବେ ବେଗେ ସଜ

କରନ୍ତୁ ସେ ଯଥାବିଧି ରାଜକୁଳ କାର୍ଯ୍ୟ ।

ସନ୍ତକଯାକ ଧରିଣ ନଦୀକୂଳେ ଯାନ୍ତୁ

ଗଉରୀ ପୂଜା କରିଣ ଅନଳେ ପଡ଼ନ୍ତୁ ।

ଏରୂପେ କହିଣ ରାଜା ରାଣୀ ମନ ଘେନି

ମନ୍ତ୍ରୀସହ ଆଜ୍ଞା ଦେଲା ହେଉ ବାଦ୍ୟ ଧ୍ୱନୀ ।

ନିର୍ମାଣ କରାଅ ଏବେ ସତୀକୁଣ୍ଡ ବେଗେ

ଚଳନ୍ତୁ ଏ ବଧୂମାନେ ତହିଁ ଏହି ଲାଗେ ।

ଶୁଣିଣ ସୁବିଜ୍ଞ ମନ୍ତ୍ରୀ ଖୋଳାଇଲେ ଖାତ

ଛବିଶଲକ୍ଷ ହାତ ସେ ହୋଇଲାକ ଗାତ ।

ଚନ୍ଦନକାଠ ଛେଦିଣ ତହିଁରେ ପୂରାଇ

ଢାଳି ଗୁଆଘୃତ ଦେଲେ ଲଗାଇଣ ଜୁଇ ।

ବଧୂ ଯେ ନାତୁଣୀ ବଧୂ ସଜ ହୋଇଗଲେ

ବିପ୍ରଙ୍କୁ ଯେ ଦାନ ଦେଇ ଗୌରୀପୂଜା କଲେ ।

ସନ୍ତକମାନ ଧରିଣ ଅନଳେ ପଶିଲେ

ବେଦକର୍ମ ମାର୍ଗେ ସର୍ବେ ସତୀ ହୋଇଗଲେ ।

ମୃରସହ ବ୍ରହ୍ମାଙ୍କର ଯମପୁରେ ଗମନ ଓ ଅମୋହମାଳା ପ୍ରଦାନ

ଦ୍ୱାଦଶ ଦିନେ ସାରିଲା ରାଜା ସତୀ କାର୍ଯ୍ୟ

ଏଥୁଅନ୍ତେ ଯାହା ହେଲା ଶୁଣ ଋଷିବର୍ଯ୍ୟ ।

ପୁତ୍ରଙ୍କ ଶୋକରେ ରାଜା ମନେ ଦୁଃଖୀ ହୋଇ

ଧାତାଙ୍କୁ ଯେ ସୁମରିଲା ମନେ ମନେ ଧ୍ୟାଇ ।

ଆସନ ଟଳୁ ଜାଣିଲେ ପିତା ଯୋଗ ଧ୍ୟାନେ

ପାଞ୍ଚନ୍ତି ଚିନ୍ତିଲା ମୃରାସୁର ଦୁଃଖ ମନେ ।

ଆମ୍ଭେହେଁ ଯାଇ ତାହାକୁ ନ ବୋଧିବା ଯେବେ

ଶାନ୍ତି ନ ଭଜି କୋପିବ ରାଜା ଅହଂଭାବେ ।

ପୂତ୍ର ମରୁଡ଼ି କଥା କି ଅଳପ ବାଧଇ

ସଂସାରେ ବନ୍ଧ୍ୟା ସ୍ତିରୀକି ରୋଦନ କରଇ ।

କେବଳ ସଦାକାଳରେ ଦୁଃଖେ ରହିଥାଇ

ପୁତ୍ରହୀନକୁ ବୋଧିଲେ ଧରମ ହୁଅଇ ।

ଏରୂପେ ସେ ମନେ ପାଞ୍ଚି ମରାଳରେ ବସି

ମିଳିଲେ ଯେ ପିତାମହ ଦୈତ୍ୟପାଶେ ଆସି ।

ଅମୋହମାଳା ଗୋଟିଏ ଧରି ବେଦବର

ଯାନ ତେଜି ଭୟେ ଉଭା ହୋଇଲେ ସତ୍ୱର ।

ବସିଅଛି ସଭାକରି ଦୈତ୍ୟ ମନଦୁଃଖେ

ଏମନ୍ତ ବେଳେ ମିଳିଲେ ବ୍ରହ୍ମା ତାର ପାଖେ ।

ପିତାଙ୍କୁ ଦେଖି ଆସନୁ ବେଗେ ଉଠି ମୁର

ଲୋଚନୁ ଲୋତକଧାରା ବହି ବୋଲି ଗିର ।

ଉଠି ଶୋକଭରେ ଦେଲା ଆସନ ପକାଇ

ବସିଲେ ଯେ ପିତାମହ ଧୀରେ ତହିଁ ଯାଇଁ ।

ଶୋକଭରେ ଦଇତ ନ ପାରେ ବାକ୍ୟ କହି

ନମିଲା ଲୋତକ ଜଳେ ତାଙ୍କ ପାଦ ଧୋଇ ।

ପ୍ରମାଣ ସାରିଣ ବସେ ମଥାକୁ ସେ ପୋତି

ବ୍ରହ୍ମା ବୋଇଲେ ବାପ ନକର ଶୋକ ଅତି ।

ତୋ ପୁତ୍ରକୁ ମରଣ ବାର୍ତ୍ତା ମିଳିବାରୁ ମୋତେ

ଶଙ୍ଖୋଳି ଆସିଛି ଆରେ ବାପଧନ ତୋତେ ।

ଅସୁର ବୋଲେ ଶୁଣିମା ହେଉ ପିତାମହ

ସଂସାର ଯାକରେ ତୁମ୍ଭେ ଧାତା ପରା ହୁଅ ।

ମୋତେ ଏତେ ପୁତ୍ର ନାତି ତୁମ୍ଭେ ଦେଇଥିଲ

ଦିନକେ କି ମରିବାକୁ ଭାଲେ ଲେଖିଥିଲ ।

ଦୁଇ ଚାରି ନୁହନ୍ତି ସତରଲକ୍ଷ ପୁତ୍ର

ଆବର ମୋ ନବଲକ୍ଷ ନାତି କୁଳ ଗୋତ୍ର ।

ଦଣ୍ଡକ ଭିତରେ ଯେବେ ଏ ସମସ୍ତ ମରି

କି ବୋଲି ଲେଖିଲ ଏହା ଆହେ ମୁଖ ଚାରି ।

ଧାତା ବୋଲେ ଆରେ ବାବୁ ଶୁଣ ତୁହି ଏହା

ଗୋବିନ୍ଦ ଭିଆଣ ଅଟେ ସ୍ୱର୍ଗ ମଞ୍ଚ ଯାହା ।

ଈଶ୍ୱରଟି ବସାଇବେ ଏକ ଗୋଲାହାଟ

ତହିଁ ବିକା କିଣା କରୁଥାନ୍ତି ଜନପୁଟ ।

ଗୋଲାହାଟ ବୋଲି ସେହି ହାଟ ନାମ କହି

ଅଛନ୍ତି ଅପାର ଲୋକ ମିଳି ଜାଣ ତହିଁ ।

ଛପନ କୋଟି ପସରା ଥୋଇଣ ଅଛନ୍ତି

ହାଟେ ଆସି ଲୋକେ ତାହା କିଣିଣ ନିଅନ୍ତି ।

ଯେଉଁ ସମୟରେ ସେହି ହାଟ ଥିଲା ବସି

ବାୟବ୍ୟ କୋଣରୁ ଇନ୍ଦ୍ର ବର୍ଷା କରେ ଆସି ।

ମହାବତାସ ବହିଣ ମାରେ ଘଡ଼ଘଡ଼ି

ହାଟରୁ ପଳାଇଗଲେ ଲୋକେ ଉଠି ପଡ଼ି ।

 

ମଣ୍ଡପେ ସହସ୍ର ଲୋକ ଯାଇ ବସିଗଲେ

ତହିଁରେ ଯେ କଥା ତୋତେ କହିବା ହୋଭଲେ ।

ଚାରିଦିଗ ମେଘ ଘୋଟି ବରଷନ୍ତି ପାଣି

ବିଜୁଳି ଯେ ଘନ ଘନ ମାରେ ଶୂନ୍ୟେ ଟାଣି ।

ମଣ୍ଡପର ଚାରିପାଖ ମାରେ ଘଡ଼ଘଡ଼ି

ମଣନ୍ତି ସେ ସ୍ଥାନେ ଥିବା ଲୋକେ ଡକାପାଡ଼ି ।

ବୋଲନ୍ତି କାହାକୁ ଏଥେ ମାରିବ ଚଡ଼କ

ତେଣୁ ଛାଡ଼ି ନ ଘୂଞ୍ଚନ୍ତି ଏଥୁ ମେଘଯାକ ।

ଅଳପ ଦୂରରେ ରହି ପିଟେ ବଜ୍ର ଆଣି

କାହାକୁ ମାରିବେ କିଏ ତାହା ଅଛି ଜାଣି ।

ଏଥକୁ ଉପାୟ ଆମ୍ଭେ କରିବାକ ପାଞ୍ଚି

ପଦାକୁ ଯାଇଣ ଜଣେ ଆସୁଥାଇ ଘୁଞ୍ଚି ।

ଯାହାର କୁଭାଗ୍ୟ ଥିବ ସେ ସିନା ମରିବେ

ବିଚାର ଶୁଣିଣ କଲେ ହେଉ ବୋଲି ସର୍ବେ ।

ସଭାରୁ ଉଠି ପଦାକୁ ବେଗେ ଜଣେ ଗଲା

ଚଡ଼କ ମାରିବାଠାଇଁ ପ୍ରବେଶ ହୋଇଲା ।

ଲେଉଟି ଆସି ବସିଲା ପୁଣି ମଣ୍ଡପରେ

ଆଉ ଜଣେ ଚଳିଯାଇ ମିଳିଲା ସେଠାରେ ।

ଏ ରୂପରେ ତହିଁ ସର୍ବେ ଯା ଆସ ହୁଅନ୍ତେ

ତା ମଧ୍ୟୁ ଏକା ହୋଇଣ ଜଣେ ଥିଲା ପ୍ରାନ୍ତେ ।

ତାହାକୁ ବୋଇଲେ ଆହେ ତୁମ୍ଭେ ଚଳିଯାଅ

ତୋ କର୍ମରେ ଯାହା ଅଛି ତାହା ଭୋଗ ପାଅ ।

ବାହୁଡ଼ି ଆସିଲେ କଥା ଉତ୍ତମ ତ ହେଲା

ଚଡ଼କ ତ ମାଇଲେ ତୋ ଭୋଗ ସରିଗଲା ।

ପୁଣି ଭୟ କରିଣ ସେ ବେଗେ ଗଲା ଉଠି

ବୋଇଲା ଗୋବିନ୍ଦର କି ନାହିଁ ମୋତେ ଚିଠି ।

ସବୁଙ୍କୁ ରଖି କି ପଛେ ଦେବେ ମୋତେ ମାରି

ନ ଗଲେକ ପରମାଦ ଗଲେ ଯିବି ମରି ।

ଭୋ ପ୍ରଭୁକି ମୃତ୍ୟୁ ମୋତେ ଥିଲା ଏହା ଲେଖି

ବୁଝିଲେ ସଂସାରେ ମୁହିଁ ଅଟେ ନିରିମାଖି ।

ସାତଟି ପୁତ୍ରରେ ମୋର ଗୋଟିଏ ଦୁଲଣୀ

ଆମ୍ଭ ଦୁହିଁଙ୍କୁ ଯେ ମିଶି ହେବେ ଦଶପ୍ରାଣୀ ।

ମୁହିଁ ମରିଗଲେ ଏହୁ ହେବେ ଅରକ୍ଷିତ

ଏଥକୁ ଯେ ପରିତ୍ରାଣ କରିବେ ଶ୍ରୀକାନ୍ତ ।

ଏରୂପେ ବୋଲି ପଦାକୁ ଉଠି ଚଳିଯାନ୍ତେ

ମାଇଲା ଯେ ଘଡ଼ଘଡ଼ି ମଣ୍ଡପର କାନ୍ଥେ ।

ସହସ୍ରେକ ଲୋକ ମରିଗଲେ ସେହିଠାରେ

ବିହି ଲେଖିବା କଥା କେ ଆନ କରିପାରେ ।

ଜଣକ ଲାଗି ସମସ୍ତେ ଥିଲେ ଜାଣ ଜୀଇଁ

ଏରୂପେ କାହାକୁ ମଲା କଥା ଜଣାନାହିଁ ।

ଅପୂର୍ବ ମରଣ ଏହୁ ଅଟେ ଶୁଣିବାକୁ

ଏହି ପ୍ରକାରେଟି ମୃତ୍ୟୁ ଥିଲା ତୋ ପୁତ୍ରଙ୍କୁ ।

ଏରୂପେ ବିହି ଜାଣ ପୂର୍ବୁ ଥାନ୍ତି ଲେଖି

ଏହା ନଜାଣି ପ୍ରାଣିଏ ହେଉଥାନ୍ତି ଦୁଃଖୀ ।

ଯେତେକ ସେ ଲେଖିଥାନ୍ତି ବସି ଭାଲପଟେ

ସେତେକ ଭୋଗ ସେହୁ ଯେ କରଇ ନିରାଟେ ।

ଭୋଗ ସରିଲେ ତାକୁ କେ ରଖି ନ ପାରଇ

ଯେ ଯେତେ ଆଣିଥାଇ ସେ ସେତେ ଦିନ ଯାଇ ।

ବ୍ରହ୍ମା ବୋଇଲେ କହିବା ଆଉ ମଧ୍ୟ ଶୁଣ

ତୋହର ପୁତ୍ର ନୁହନ୍ତି ସେହି ଯମଗଣ ।

ଶାପପାଇ ତୋର ବୀର୍ଯ୍ୟେ ଜନ୍ମ ହେଲେ ଆସି

କହିବା ତାହାଙ୍କ କଥା ଶୁଣ ଆହେ ବତ୍ସି ।

ଦକ୍ଷ ପ୍ରଜାପତି ପୋଏ ମଲେ ଯେଉଁକାଳେ

ଆଣିଲେକ ଯମଗଣ ଯାଇ ତାଙ୍କୁ ବଳେ ।

ବାଟରେ ଆସୁ ମଦିରା ଯାଚିଲେ ଗରବେ

ଶୁଣି ଦକ୍ଷପୋଏ ତାଙ୍କୁ ଶାପ ଦେଲେ ସର୍ବେ ।

ବୋଇଲେ ଆମ୍ଭଙ୍କୁ ଯେଣୁ ଯାଚିଲ ଅଲାଗି

ଏ ଦୋଷୁ ମଞ୍ଚେ ଅସୁର ତୁମ୍ଭେ ହୁଅ ବେଗି ।

ଏହିରୂପେ ଶାପ ଜାଣ ଦ୍ୱନ୍ତେ ଦକ୍ଷପୋଏ

ଶୁଣିଣ ଯେ ଯମଗଣ କଲେ ମହାଭୟେ ।

ବୋଇଲେ ନଜାଣି ଦୋଷ ଅରଜିଲୁ ଆମ୍ଭେ

ଦକ୍ଷବ୍ରହ୍ମା ପୁତ୍ର ବୋଲି ନ ଚିହ୍ନିଲୁ ପୂର୍ବେ ।

ତହିଁର ଫଳ ପାଇଲୁ ଆମ୍ଭେ ଏବେ ପୁଣ

କେଉଁରୂପେ ମୋକ୍ଷ ହୋଇ ଆସିବୁଟି ଜାଣ ।

ତଥାପି ହୋଇଲେ ଦୈତ୍ୟ ପୃଥ୍ୱୀ ନ ଚଳିବ

ଆମ୍ଭ ପ୍ରତି ଦେବତାର ବହୁ କୋପ ହେବ ।

ମରିବା ଲୋକଙ୍କୁ ଆମ୍ଭେ ଆଣିବାକୁ ଯାଉ

ପାପୀଜନଙ୍କୁ ଆଣିଣ ବହୁ ଦଣ୍ଡ ଦେଉ ।

ଆମ୍ଭେ ନ ରହିଲେ ଏହା କରିବ କେ କହ

ଅଳ୍ପାୟୁ ହୋଇ ଆସିବୁ ଏହି ଆଜ୍ଞା ଦିଅ ।

ଶୁଣିଣ ସେ ଦକ୍ଷପୁତ୍ର ହେଲେ ହସ ହସ

ବୋଇଲେ ଯାଅରେ ହୁଅ ମୁରଦୈତ୍ୟ ଶିଷ୍ୟ ।

ସତରଲକ୍ଷ ପୁତ୍ର ଯେ ନବଲକ୍ଷ ନାତି

ଅସୁର ବୀର୍ଯ୍ୟରେ ଜନ୍ମ ହେବ ବିନଶ୍ୟତି ।

ଯେରୂପେ ମରିବ ତୁମ୍ଭେ କହିଁବୁ ତାଶୁଣ

ତୁମ୍ଭଙ୍କୁ ପଢାଇବେ ଯେ ଆସି ନାରାୟଣ ।

ମରିବ ବିଷ୍ଣୁଙ୍କ ମନ୍ଦ ପାଞ୍ଚି ତୁମ୍ଭେ ତହିଁ

ମରାଇବେ ଯେ ଗରୁଡ଼ ହାତେ ଲକ୍ଷ୍ମୀସାଇଁ ।

ମରିବ ହେ ଖଗେଶ୍ୱର ହାତେ ତୁମ୍ଭେ ଜାଣ

ଏ କଥା ପୂର୍ବରୁ ପାଞ୍ଚିଛନ୍ତି ନାରାୟଣ ।

ସମୁଦ୍ର ମଧ୍ୟରେ ପଡ଼ିଯିବ ସର୍ବେ ବୁଡ଼ି

ତେବେ ଏ ପାତକ ତୁମ୍ଭ ଅଙ୍ଗୁ ଯିବ ଛାଡ଼ି ।

ଶୁଣି ଯମଗଣ ଚଳିଗଲେ ତୋଷ ହୋଇ

ଏଥିଉତ୍ତାରୁ ହେ କଥା ଶୁଣ ନୃପସାଇଁ ।

ତୋହର ବୀର୍ଯ୍ୟରେ ଆସି ହେଲେ ସେହିଜନ୍ମ

ପାପରୁ ସେ ମୋକ୍ଷ ହୋଇ ଗଲେ ନିଜ ଧାମ ।

ଅଛନ୍ତି ତୋହର ପୁତ୍ରେ ଯାଇ ଯମପୁରେ

ଆଖଡ଼ା କରି ସାଧନ୍ତି ବିଦ୍ୟା ସେହିଠାରେ ।

ଦେଖିବୁ ପୁତ୍ରଙ୍କୁ ଯେବେ ମୋର ସଙ୍ଗେ ଆସ

ଦେଖିଲେ ଯେ ଛାଡ଼ିଯିବ ତୋର ମୋହପାଶ ।

ଶୁଣିଣ ସେ ମୃରାସୁର ଆନନ୍ଦିତ ହେଲା

ବିଜୟ ରଥରେ ଚଢି ବ୍ରହ୍ମା ସଙ୍ଗେ ଗଲା ।

ମରାଳଯାନ ଚଢିଣ ବିଜେ ବେଦବର

ମୃରାସୁର କୁ ଘେନିଣ ଗଲେ ଯମପୁର ।

ମୁରର ପୁତ୍ରେ ସାଧନ୍ତି ତହିଁ ସର୍ବ ବିଦ୍ୟା

କେ ଧେନୁ ସାଧଇ କେହୁ ସାଧ୍ୟକରେ ଗଦା ।

ବ୍ରହ୍ମାଏ ବୋଇଲେ ଦେଖ ତୋ ପୁତ୍ରଯାକଙ୍କୁ

ବିଦ୍ୟା ସାଧୁଅଛନ୍ତି ଏ ସୃଷ୍ଟି ଜିଣିବାକୁ ।

ତୁହି ଭାଳୁଥିବୁ ମୋର ପୁତ୍ର କେଣେ ଗଲେ

ନୟନ ପୁରାଇ ଦେଖ ତାଙ୍କୁ ଏବେ ଭଲେ ।

ଶୁଣିଣ ସେ ମୃରାସୁର ମନେ ତୋଷ ବହି

ପୁତ୍ରଙ୍କର ନାମଧରି ଡ଼ାକେ ଶ୍ରଦ୍ଧା ପାଇ ।

ବୋଇଲା ଆସିଲ ଆରେ ପୁତ୍ର ମୋତେ ଛାଡ଼ି

କାନ୍ଦୁ ଅଛନ୍ତି ମାତାଏ ମନେ ମନେ ଲୋଡ଼ି ।

ଆସରେ ବାପ ଘରକୁ ଯିବା ଏବେ ଆମ୍ଭେ

ପଛେ ଏ ବିଦ୍ୟା ସାଧିବ ଏଥେ ଆସି ତୁମ୍ଭେ ।

ଶୂଣିଣ ବୋଇଲେ ଯମଗଣ ମାର ମାର

କିଏ ତୁହି କେଉଁମାନେ ତୋହର କୁମର ।

ତୋହ ଘରେ ଥିବାଯାଏଁ ତୋହ ପୁତ୍ର ଥିଲୁ

ମରିବା ମାତ୍ରକେ ପରଲୋକକୁ ଅଇଲୁ ।

ସାଧୁଅଛୁ ଗଦା ଧନୁ ମରିବ ବାଜିଲେ

ଆଡ଼ହୋଇ ଉଠିଯାଅ ଏହିଠାରୁ ଭଲେ ।

ମୁର ବୋଇଲା ବାପରେ ଶୁଣ ମହୀକର୍ଣ୍ଣ

ବାପକୁ ତେଜି ମଉସା ପାଦେ କେହ୍ନେ ନମ ।

ମୋହର ପ୍ରାୟେ ସଂସାରେ ବାପ ମିଳିବକି

ମଦନାବତୀ ପ୍ରାୟେକ ମାତ ହୋଇବ କି ।

ମୁଁ ତୁମ୍ଭର ନିଜ ବାପ ତୁମ୍ଭେ ମୋର ବତ୍ସ

ଏହିକଥା କାହିଁପାଇଁ ତୁମ୍ଭେ ପାଶୋରୁଛ ।

ପୁତ୍ର ବୋଇଲେ ରେ ବାପ କିମ୍ପା ପାଶୋରିବୁ

ତୁ ଏଥୁଗଲେ ମରିବୁ ଆମ୍ଭେ ଆଣିଯିବୁଁ ।

ଶୁଣିଣ ସେ ମୃରାସୁର ହେଲା ଆଚମ୍ବିତ

ବ୍ରହ୍ମାଙ୍କର ମୁଖ ଚାହିଁ ହୋଇଲା ଚକିତ ।

ବିଧାତା ବୋଇଲେ ଏହିରୂପେ ସଂସାରଟି

ତୁ ଏହା ନ ଜାଣି ଶୋକ କରୁ କାହାକୁଟି ।

ଦଇବ ମାୟାରେ ପଡ଼ି ହେଉ କେତେ ବାଇ

କାହାର ବାପ କେ ପୁତ୍ର କାହାର କେ ହୋଇ ।

କେ କାହାର ଭାରିଯା କେ ଅଟେ କାର ସ୍ୱାମୀ

ଯେତେ ସମ୍ପତ୍ତି ଅର୍ଜେ ସେ ନୋହେ ତାରପଣି ।

ଯେଉଁଠାରୁ ଆସିଅଛି ସେହିଠାକୁ ଯାଏ

ଏକଥା ନ ଚିହ୍ନି ପ୍ରାଣୀ ଭ୍ରମେ ଭ୍ରମ ହୁଏ ।

ଅମୋହମାଳ ଦେଉଛି ମୋର ଏବେ ନିଅ

ଏହି ମାଳାଥିଲେ ତୋତେ ନ ଲାଗିବ ମୋହ ।

ଏହିରୂପେ କହି ମାଳ କଣ୍ଠେ ତାର ଦେଲେ

ତହୁଁ ମୁର ପୁତ୍ର ଆଶା ପରିତ୍ୟାଗ କଲେ ।

ଲୋଭ ମୋହ ଶୋକ ଆଦି ତେଜି ମୃରାସୁର

ବ୍ରହ୍ମାଙ୍କ ପାଦରେ ନମି ଗଲା ନିଜପୁର ।

ବିଧାତା ଯେ ବିଜେ କଲେ ଆପଣା ନିବାସ

କନକାବତୀ ନଗରେ ମିଳିଲା ରାକ୍ଷସ ।

ଭାଜିଗଲା ଶୋକ ମୋହ ତନୟଙ୍କ ସ୍ନେହ

ସଭାକୁ ଯାଇ ବୋଇଲା ସର୍ବେ ସଜ ହୁଅ ।

ଭାଇକି ବୋଇଲା ଏବେ ଦାରୁଣରେ ଶୁଣ

ବଦ୍ରିକା ନଗ୍ରକୁ ଏବେ ପେଷ ସୈନ୍ୟଗଣ ।

କୃଷ୍ଣବଲ୍ଲବର ପୋଏ କେଡ଼େ ବଳିୟାର

ପୁତ୍ରଙ୍କ ଛଳେ ପେଷିବି ତାଙ୍କୁ ଯମପୁର ।

କଟକଯାକ ପୋଡ଼ିବା ବେଢ଼ି ଚାରିପାଖ

ଉପାଡ଼ି ସିନ୍ଧୁ ମଧ୍ୟରେ ପକାଇବି ଦେଖ ।

ବଂଶଯାକକୁ କରିବି ଆଜି ଭସ୍ମରାଶି

ଦେଖିବେ ସ୍ୱର୍ଗରେ ତାହା ଦେବଗଣେ ବସି ।

ସୈନ୍ୟଙ୍କୁ ମୋ ସଜକର ବଦରିକା ଯାଏ

ଶୁଣି ଦାରୁଣ ଖୁଣ୍ଟିଆ ଆଗେ ଯାଇକହେ ।

ବୋଇଲା ରାଜାର ଆଜ୍ଞା ହେଲା ପରମାଣ

ଦାଣ୍ଡରେ ବଜାଅ ବେଗେ ଟମକ ନିଶାଣ ।

ଶୁଣିଣ ଖୁଣ୍ଟିଆ ଘେନି ରାଜାର ଯେ ଆଜ୍ଞା

ଟମକିଆକୁ କହିଲା ଡ଼ାକି ରାଜା ପ୍ରଜ୍ଞା ।

ବୋଇଲା ଦାଣ୍ଡରେ ଯାଇ ବଜା ଟମକକୁ

ବଜାଇ ଟମକ ନାଦେ ଡ଼ାକିବ ସୈନ୍ୟଙ୍କୁ ।

ଟମକ ବଜାଇ ସେହୁ ଏକା ଡାକୁଥିବ

ସମସ୍ତଙ୍କ ନାମମାନ ଟମକେ ବାଜିବ ।

ବଇରୀ ମର୍ଦ୍ଦନ ନାମ ଟମକ ଯେ କହି

ବାଜଣା ଶୁଣି ଆସିବେ ଏଥେ ସର୍ବେ ଧାଇଁ ।

ପ୍ରତ୍ୟେକର ନାମ ଧରି ଟମକ ବାଇବୁ

ନାଦରେ ନାମ ଧରିଣ ସବୁଙ୍କୁ ଡାକିବୁ ।

ଶୁଣି ଟମକିଆ ଧରି ଟମକ ଯେ ପିଟି

ନାଦରେ ନାମ ଧରିଣ ଡାକେ ଗୋଟି ଗୋଟି ।

ବୋଲେ ଆମ୍ଭ ରାଜା କାଲି ସୈନ୍ୟଗଣ ନେଇ।

ବଦରିକାପୁରେ ଯିବେ ଜିଣିବାର ପାଇଁ ।

ସେନାମାନେ ସଜ ହୋଇ ଶୀଘ୍ର ମିଳ ଆସି।

ଟମକ ଡ଼ାକଇ ଏହି କଥା ଅହର୍ନିଶି ।

ଶୁଣିଣ ଧାଇଁଲେ ସେନାମାନେ ହୋଇ ସଜ।

ରାଜା ଛାମୁରେ ମିଳିଲେ ଚଢ଼ି ଅଶ୍ୱଗଜ ।

ନୃପତି ବୋଇଲେ ଆହେ ସର୍ବେ ଯିବା ଚାଲ।

ବଦରିକା ନଗ୍ରେ କାଲି କରିବା ଯେ ଗୋଳ ।

ବଲ୍ଲଭ ପୁତ୍ରଙ୍କୁ ମାରି ଅର୍ଜିବା ଯେ ଯଶ।

ତେବେ ସଭାରେ ବସିଣ ହେବା ହସ ହସ ।

ପୁତ୍ରଙ୍କ ମରୁଡ଼ି ଦେଖି କମ୍ପୁଛି ମୋ ଦେହ।

ନୁହନ୍ତି ଦୁଇ ଚାରି ସତର ଲକ୍ଷ ପୁଅ ।

କୁମର ଯେ ମୋର ମଲେ ବଧୂ ମୋର ମଲେ

ବିଦ୍ୟାଗୁରୁ ହୋଇଣ ସେ ଏଡ଼େ କର୍ମ କଲେ ।

କି ରୂପେ ଅଛଇ ଧର୍ମ ତାକୁ ଜାଣ ସହି।

ମାରିଣ ପଳାଇଗଲେ ଦ୍ୱିଜରୂପ ବହି ।

ଗଲେ ବୁଝିବା ସେ ବେନି ଭାଇଙ୍କର କଥା।

ଆଗେ ପଡ଼ିଲେ ମୋଡ଼ିଣ ଦେବି ଧରି ମଥା ।

 

      

 

 

କାଙ୍କୋଳାସୁରର ଯୁଦ୍ଧ ଯାତ୍ରା

 

କାଙ୍କୋଳାସୁର ଉଠିଲା ଶୁଣି ଗଳ ଗାଜି

ଭୂମିରେ ହାତକୁ ପିଟି ନିଶ ମୋଡ଼େ ଗର୍ଜି ।

ବୋଇଲା ହେଉଛ କେତେ ବ୍ରାହ୍ମଣଙ୍କୁ ତମ

କାଲି ତ ଗଲେ ପୋଛିବ ତାଙ୍କ ପାଞ୍ଜି ଯମ ।

ଆମ୍ଭେ ଥାଉଁ ଥାଉଁ କିମ୍ପା ଯିବୁ ଯୁଝି ତୁହି

ଲୋକେ ବୋଲିବେ ରାଜାର ବିବେକ ଯେ ନାହିଁ ।

ଏରୂପେ ସେନାପତିଏ ଛାମୁରେ କହନ୍ତେ।

ସଂସାରେ ବାଛି ପାରିବ ଆଉ କେହୁ ତୋତେ ।

ସେମାନଙ୍କୁ ଯୁଦ୍ଧକୁ ଯେ ଆଗ ପେଷ ତୁହି

ସେନାମାନେ ନ ପାରିଲେ ଯୁଝିବୁ ତୁ ଯାଇ ।

ସମ୍ଭ୍ରମହୋଇ ଚଳିବୁ ତୁହି ଯେତେବେଳେ

ପୃଥିବୀ ପଡ଼ିବ କିବା ଯାଇ ରସାତଳେ ।

ପୁତ୍ରଙ୍କର ପାଶେ ଯେବେ ଥାଆନ୍ତୁ ତୁ ରହି

ଗୋଟିଏ ପୁତ୍ର ତୋହର ମରନ୍ତେ କିମ୍ପାଇଁ ।

ତଥାପି ଆମ୍ଭେମାନେ ତ ପାଖେ ଥାନ୍ତୁ ଯେବେ

କିରୂପେ ବଲ୍ଲଭ ପୋଏ ମାରିଯାନ୍ତି ତେବେ ।

ଗୃହରେ ଆଣି ରଖିଲୁ ତାଙ୍କୁ ହେଳା କରି

ବରଷ ତିନି ରଖିଇ ନ ପାରିଲୁ ମାରି ।

ଶେଉଳ ମାଛ ପ୍ରାୟେ ସେ ହେଲେ ମନ୍ଦ ଜାଣ

ଭେଣ୍ଡିଆ ଚଣ୍ଡିଆ ବୁଦ୍ଧି କାହିଁ କେତେପୁଣ ।

ମୁଁ ଆଗେ ଯୁଦ୍ଧକୁ ପୁଣ ଯାଉଅଛି ଚଳି

ବଲ୍ଲଭର ପୁତ୍ର ମାରି ଦେବି ବିଶାବଳୀ ।

ଆବର ମାରିଲେ ବେନି ସେନା ବାହାସ୍ଫୋଟ

ଚୋବାନ୍ତି ଦଶନପନ୍ତି ଭିଡ଼ି ରଟମଟ ।

ବୋଇଲେ କାଙ୍କୋଳାତୁଲେ ଯିବୁ ଆମ୍ଭେ ବେନି

ତିନେହେଁ ଘୋଟିବୁ ମିଶିଗଲେ ପୁର ତିନି ।

ଏରୂପେ ସେ ଚନ୍ଦ୍ରମାଳୀ କହି ଶରଜିତ

ବୀରକେଶର ବାନାରେ ଟେକ ନେଇ ହସ୍ତ ।

ବୋଇଲେ ବଦ୍ରିକା ଆମ୍ଭେ ଯାଇ ଆସୁ କିନା

ତେବେ ସେ ରାଜା ବିଚାର କରୁ ବସି ସିନା ।

ପୁଣି ମୃରାସୁର କହେ ହଲାଇଣ ଥୋଡ଼

ବୋଇଲା ତ ପୂତ୍ରଠାରୁ ତୁମ୍ଭେ ମୋର ବଡ଼ ।

ତୁମ୍ଭଙ୍କୁ ଦେଖି ପୁତ୍ରଶୋକ ପାଶୋରିଛି

କିରୂପେ ହେଁ ମୋର କୃଷ୍ଣବଲ୍ଲଭର ବତ୍ସି ।

ବଡ଼ ବଇରୀ ମୋହର ଅଟେ ସେହି ଏକା

ସେ ମଲାଯାଏ ମୋର ନଯାଏ ହୃଦୁ ଦକା ।

କିରୂପେ ହେଲେ ଯାଇଣ ମାରି ଆସ ବେଗେ

ପ୍ରଳୟ ଯାଏରେ ତୁମ୍ଭେ ରହିବ ମୋ ସଙ୍ଗେ ।

ପରମ ସୁଖେ ରହିଣ କରିବ ଯେ ଭୋଗ

ଆମ୍ଭଙ୍କୁ ଯାବତ ଚନ୍ଦ୍ର ଅର୍କେ ନାହିଁ ଭୋଗ ।

ତେତିଶକୋଟି ଯେ ରାଣୀ ଅଛନ୍ତି ମୋ ସତୀ

ଲେଉଟି ସେ କେତେ ପୁତ୍ର କରିବେ ଉତ୍ପତ୍ତି ।

ବାଳକେ ମରିବାରୁ ନ କରେ ମୁହିଁ ଚିନ୍ତା

ଦେଖିବ ବିଷ୍ଣୁଙ୍କୁ ଜିଣି ହେବି କେଡ଼େ ଜିତା ।

ମୁହିଁ ସଂସାରଯାକରେ ଅଟେ ଏକା ବଡ଼।

ମୋହ ସଙ୍ଗରେ କି ସରି ହେବ ଯୋଗାରୂଢ଼ ।

ଆବର ଲୋକଙ୍କୁ ମୁହିଁ ମନେ ନ ଗଣଇ

ଦେଖୁଛ ତ ନିତି ବ୍ରହ୍ମା ଆସେ ମୋତେ କହି ।

ଆବର ଯେ ଦିଗପାଳେ ଯେତେକ ଅଛନ୍ତି

ସମସ୍ତେ ତ ଖଟିଛନ୍ତି ହୋଇ ବଶବର୍ତ୍ତୀ ।

ଶୁଣିଣ କହନ୍ତି ସେନାମାନେ ପାଦ ଧରି

ବୋଲନ୍ତି କିଏ ନ ଅଛି ‌ତୋତେ ସେବା କରି ।

ମଣ୍ଡଳାଧିପତି ତୁହି ମୁର୍ଦ୍ଧାନାଭିଷେକୀ

କେ କହିପାରେ ଛାମୁରେ ତୋତେ ମଥାଟେକି ।

ଯେତେ ଚକ୍ରବର୍ତ୍ତୀ ଆଉ ଚାରିଯୁଗେ ରାଜା

ତୋର ସମାନେ ସଂସାରେ ନାହିଁ କାର ପୂଜା ।

ଶାନ୍ତିପଣକୁ ପ୍ରତ୍ୟକ୍ଷେ ତୁହି ଗଙ୍ଗାଜଳ

ତୀକ୍ଷ୍ଣପଣକୁ ସାକ୍ଷାତେ ଅଟୁ କାଳାନଳ ।

କ୍ଷତ୍ରିପଣକୁ ନୁହନ୍ତି ରୁଦ୍ର ହରି ସରି

ବାସୁକି ପ୍ରାୟେ ବହୁଛୁ ଭାରା ଜନ ତାରି ।

ଲକ୍ଷ୍ମୀ ସାରଦାଙ୍କ ପ୍ରାୟ ଦୟା ତୁହି କରୁ

କ୍ଷଣକେ ଯାବତ ଲୋକ ଦମ୍ଭ ଭାଙ୍ଗିପାରୁ ।

ସମସ୍ତ ଲୋକଙ୍କ ମନ କଲେ ଏକ ଠୁଳ

ତହିଁରୁ ଦ୍ୱିଗୁଣ ବଳେ ତାର ବୁଦ୍ଧି ବଳ ।

କୁବେର ବରୁଣଙ୍କର ଅଛି ଯେତେ ଧନ

ତହିଁରୁ ଦ୍ୱିଗୁଣ ବଳେ ତୋ ସମ୍ପତ୍ତିମାନ ।

ବ୍ରହ୍ମାଣ୍ଡଯାକ ଅଛନ୍ତି ଯେତେ ଋଷିପୁତ୍ର

ତହିଁକି ଦ୍ୱିଗୁଣ ବଳେ ତୋର ଗୁରୁ ମନ୍ତ୍ର ।

ଶୁଣିଣ ମୃରର ମନ ହେଲା ବଡ଼ ତୋଷ

ବୋଇଲା ରେ ନୃସିଂହକୁ ବେଗେ ମାରିଆସ ।

ପାଇକ ରାଉତ ରଥି ସର୍ବେ ଯାନ୍ତୁ ଚଳି

ବାହନ ଆଗରେ ବାଜୁ ବୀର ବାଜାବଳୀ ।

ଗଜ ଅଶ୍ୱ ଖର ଉଷ୍ଟ୍ର ମଇଁଷୀ ଯାନରେ

ଯେ ବିଧି ବିଧାନେ ଚଢ଼ି ଚଳନ୍ତୁ ଗମ୍ଭୀରେ ।

ହୁଅନ୍ତୁ ପଦାତି ସୈନ୍ୟମାନେ ବେଗେ ସଜ

ପୁଣି ବାହାର ହୋଇଲେ ଦଶଲକ୍ଷ ଗଜ ।

କୋଟିଏ ଅଶ୍ୱ ଯେ ଉଟ ଅବୁର୍ଦେକ ଗଲେ

ତେର ପଦ୍ମ ସୈନ୍ୟ ତାଙ୍କ ସଙ୍ଗେ ବାହାରିଲେ ।

ଲାଙ୍କିଆ ଯେ ତୀକ୍ଷ୍ଣକାଠି ଖଡ଼ଗ୍ ତୀକ୍ଷ୍ଣ ମୁନା

ଶକତି ମୁଦ୍‌ଗର ଗଦା ଶଳ ଫରକନା ।

ଧନୁ ନାରାଚ ଶାବେଳି କାଣ୍ଡ ଭାଲ ଖଣ୍ଡା

ଚାଲନ୍ତି କ୍ଷତ୍ରି ଧରିଣ ହୋଇ ପରଚଣ୍ଡା ।

କାଙ୍କୋଳାସୁର ରାଜାର ଆଗେ କହି ଗଲା

ସଙ୍ଗେ ଶରଜିତ ଚନ୍ଦ୍ରମାଳିକୁ ଯେ ନେଲା ।

ଚଳିଲେକ ସୈନ୍ୟଯାକ ସିଂହଦ୍ୱାର ବାଟେ

ଦିଶନ୍ତି ସ୍ୱର୍ଗକୁ ଗଲା ପ୍ରାୟେ ଦୈତ୍ୟଥାଟେ ।

ଢୋଲ ଦମା ଟମକ ଯେ ବାଜେ ଘଡ଼ି ଘଡ଼ି

କାହାଳି ଚଡ଼କା କାମଭେରୀ ବଜ୍ର ରଡ଼ି ।

ନ୍ଦୁନ୍ଦୁଭି ମହୁରୀ ଶଙ୍ଖ ପଖାଉଜ ବାଜେ

ଦୈତ୍ୟଙ୍କ ମୁଖ ରାବରେ ତିନିପୁରେ ଗଞ୍ଜେ ।

ଆକାଶେ ଥାଇ ପାଞ୍ଚନ୍ତି ଦେବେ ମନ ତୋଷେ

ବୋଇଲେ ମୃତ୍ୟୁ ପେଶିଲେ ଏବେ ମୃରଦେଶେ ।

ପାହାରିଗଣ ସତରଲକ୍ଷ ମଲେ ପୋଏ

ନବଲକ୍ଷ ନାତି ଆଦି ଗଲେ ସବୁ କ୍ଷୟେ ।

ଏବେ ସେ ଆସନ୍ତି ବହୁ ସେନା ଯୁଦ୍ଧ କରି

ନୃସିଂହ ହସ୍ତରେ କାଲି ଯିବେ ନିଶ୍ଚେ ମରି ।

ଏ ରୂପେ ପାଞ୍ଚିଣ ଦେବେ ହୁଅନ୍ତି ଆନନ୍ଦ

ଏଥି ଉତ୍ତାରେ ସେ ବାଣୀ ଶୁଣ ହେ ନାରଦ ।

ତେରପଦ୍ମଯାଏ ସୈନ୍ୟ ସଙ୍ଗତରେ ଘେନି

ଆସନ୍ତି ସମର କରି ସେନାପତି ତିନି ।

ବଦ୍ରିକା ଦେଶକୁ ଯେ କନକାବତୀ ପୁର

ଦୁଇଶ ପଚାଶ ଯୁଣ ହୁଏ ପଥ ଦୂର ।

ଦିନକ ମଧ୍ୟେ ଆସିଲେ ଦୈତ୍ୟବଳ ମାଡ଼ି

ବଦ୍ରିକା ଦେଶେ ରହିଲେ ଆସି ବସାପାଡ଼ି ।

ଉତ୍ତରପାଖେ ଆନନ୍ଦବନ ନାମେ ତୋଟା

ନୈମିଷାରଣ୍ୟକୁ ବଳି ଦିଶେ ବନଗୋଟା ।

ବଦ୍ରିକା ନଗ୍ରକୁ ମାଡ଼ିଅଛି ଉପବନ

ବହଇ ସେ ଗଙ୍ଗାନଦୀ ତୀର୍ଥ ଅତି ପୂଣ୍ୟ ।

ସେ ବନର ମହିମାକୁ କି ଦେବା ଉପମା

ନୃସିଂହ କରନ୍ତି ନିତ୍ୟ ଯହିଁ ପରିକ୍ରମା ।

ଚୌଷଠି ସସ୍ର ନାୟିକା ଘେନି ବିହରନ୍ତି

ଯଜ୍ଞ ବେଦୀରେ ନୃସିଂହ ରାହାସ କରନ୍ତି ।

ନୃସିଂହ ବନବିହାର ଅଟଇ ସେ ତୋଟା

ନନ୍ଦନବନରୁ ବଳି ଦିଶଇ ପ୍ରତିଷ୍ଠା ।

ନାନଦି ମହୌଷଧି ଯେ ବନେ ଅଛି ରହି

ଚିହ୍ନି ପାରିଲେ ନ ପଶେ ରୋଗ ତାର ଦେହୀ ।

ଆବର ଲାଗିଛି ପୁଷ୍ପଲତା ଧାଡ଼ି ଧାଡ଼ି

ବାସନାରେ ଚହଟଇ ବେନି ଯୁଣ ମାଡ଼ି ।

ଅବସନ୍ତେ ବସନ୍ତ ଯେ ବହେ ସର୍ବ କାଳେ

ନୃସିଂହ ଯେ ବିହରନ୍ତି ତହିଁ ତରୁତଳେ ।

ସେ ବନେ ପଶିଲେ ରୋଗବ୍ୟାଧି ନଷ୍ଟ ହୋଇ

ଦେଖିଲେ ପଡ଼ିବ ଶତ୍ରୁ ହେଲେ ମୋହଯାଇ ।

ବିରାଜେ ଉତ୍ତମ ଚୁନ ବନ ପନ୍ତି ପନ୍ତି

ବାରମାସଯାକ ଫଳ ଫଳି ଝୁଲୁଥାନ୍ତି ।

ଆବର ତହିଁ ପନସ ଗୁଆ ନାରିକେଳ

କଦଳୀ କମଳା କରମଙ୍ଗା ମାଳ ମାଳ ।

ନାରଙ୍ଗ ବାତାପି ଟଭା ଲେମ୍ବୁ ତାଳସଜ

କପିତ୍ଥ ଖଜୁରୀ କେନ୍ଦୁ ହରି ପାଦାମ୍ବୁଜ ।

ମୁନିଙ୍ଗା ପିଜୁଳି ନରକୋଳି ଶଜନାଟି

ଆବର ଡ଼ାଳିମ୍ବ ଫଳ ପଡ଼େ ପାଚି ଫୁଟି ।

ଆବର ଜମ୍ବୀର ଚୂନକୋଳି ସୀତାଫଳ

ଅଏଁଳା ତେନ୍ତୁଳି ରାଜଜାମୁ ମାଳ ମାଳ ।

ଏ ଆଦି ସୁସ୍ୱାଦୁ ଫଳ ଫଳେ ନାନାଜାତି

ଲବଙ୍ଗ ମରିଚ ଜାଇଫଳ ପନ୍ତି ପନ୍ତି ।

ବାସଙ୍ଗ ଦାରାକ୍ଷ ଦେବଦାରୁ କଳାଜୀରା

Unknown

ବଡ଼ଜିରା ଚିରାଇତା ବାହାଡ଼ା ଗୋଖରା ।

କଟୁ ରୋହିଣୀ କାଫଡ଼ କୁଢ ଶୁଣ୍ଠୀ ମୁଥା

ଆର୍ଦ୍ରକ ନିମ୍ବ ଆବର ମହାନିମ୍ବ ତଥା ।

ବେଗୁନିଆ ଅଦା ମେଥି ଶୁକ୍ଳଚିତା ଫାରି

ଧନିଆ ଛତୌରି ଜାଇଫଳ ଶୃଙ୍ଗବେରି ।

ଆବର ଅଛନ୍ତି ତହିଁ ନାନାପୁଷ୍ପ ତରୁ

ମାଧବୀ ବକୁଳ ଯାଇ ଯୁଈ ଚମ୍ପା କୁରୁ ।

ଦୟଣା ମରୁଆ ଛୁରୀଅନା ନାଗେଶ୍ୱର

କଦମ୍ବ ତରାଟ ମଲ୍ଲୀ ତଗଟ କନ୍ୟର ।

କାମିନୀ ନିଆଳି ଆଉ ଗୋଲାପ ସେବତୀ

ପାଟଳୀ ଅଶୋକ ଫୁଲ ରଙ୍ଗଣୀ ମାଳତୀ ।

ଅପରାଜିତା କାଞ୍ଚନ ଆଉ କିଆଫୁଲି

କେତକୀ କାମୋଦ କୁନ୍ଦ କରୁଣା କୁର୍ବେଲି ।

ମନ୍ଦାର ଅଏଁଳା ଗଙ୍ଗଶିଉଳି ରଙ୍ଗଣୀ।

ତୋଟାର ମଧ୍ୟେ ଅଛଇ ଦିବ୍ୟ ପୁଷ୍କରିଣୀ ।

ତହିଁର ମଧ୍ୟେ ଫୁଟଇ କୁମୁଦ ଉତ୍ପଳ

ସେ ହ୍ରଦରେ ଜଳ ପୂରିଅଛି ବେନିକୁଳ ।

ଧନ୍ୟ ସେହି ପୁଷ୍କରିଣୀ ଗଙ୍ଗାସମ ବାରି

ଜଳଜନ୍ତୁ ବୁଲୁଛନ୍ତି ତହିଁରେ ପହଁରି ।

ବଗୁଲି ହଂସ ମରାଳ ଆଦି ପାଣିକୁଆ

ଗଙ୍ଗାଇ ଡ଼ୁବାଈ ପାଣିପିଆ ଯେ ତେଣ୍ଟିଆ ।

ମତ୍ସ୍ୟରଙ୍କା ତିଳ ବାଙ୍କମୁଖି କାକ ଛନ୍ତି।

ବୁଲନ୍ତି ଚକୋଇ ଚକ୍ରବାକ ପନ୍ତି ପନ୍ତି ।

ଗରୁଣ ଶାରଙ୍ଗ ରାଜହଂସ ବଡ଼କାଙ୍କ

ଏମନ୍ତ ଚଳନ୍ତି ଜଳେ ପକ୍ଷୀ ଏକୁ ଏକ ।

କ୍ରୀଡ଼ନ୍ତି କପୋତ କପୋତୀ ଯେ ପାରାବତ

କେହୁ ଶ୍ୟାମବର୍ଣ୍ଣ କେହୁ ଅଟେ ଶ୍ୱେତ ପୀତ ।

କୋକିଳ ଶାରୀ ଶୁଆ ଯେ ବୃକ୍ଷେ ଦ୍ୟନ୍ତି ରାବ

ବାଦରୀ ଜଳପାତିଆ କୁମ୍ଭାଟୁଆ ଜୀବ ।

ଶ୍ୟାମଳ କେଶର ଶଙ୍ଖଚିଲ ଭାଣ୍ଡ ଭୁଆ

ମଞ୍ଜରୀ ଗୋବରୀ ଚିଲ ଭଦଭଦଳିଆ ।

ଭଉଁରି କୋଇଲି ବାଜପାଇ କରାଖାଇ

ସାଗୁଣା ବାଇଟା ମାଟିଚଟା ହୋଇ ଜୁଇ ।

ନୀଳବଣୀ ରାଜବଣୀ ତେଣ୍ଟୁଆ ଛଞ୍ଚାଣ।

ଚରଡ଼ ଚିନ୍ତାମଣି ଯେ ବାଟଛାଲି ପୁଣ ।

କକ୍କୁଟ ଆବର ଭାଲ୍ୟାଖାଇ ନୀଳକଣ୍ଠ

କପୋତ ବଗୁଲି ପେଚା ବାଜ ଲମ୍ବଥଣ୍ଟ ।

ଚାତକ କାଳୀ ନାଗୁଣୀ ଗୁଣ୍ଡୁରୀ ବାଲିଆ

ନେପାଳ ଚଢାଇ ଦ୍ରୋଣକଙ୍କ ଭରତିଆ ।

ଖବର ଭୂମିରେ ଯେ କସରା ପାଟଭାଲି

ନାନବର୍ଣ୍ଣରେ ଅଛନ୍ତି ତହିଁ ଜୀବ ପୁରି ।

ବିମୁଖୀ ମହୁଲା ଚଷାପୁଅ ନାମେ ପକ୍ଷୀ

ପୁରାଣେ ଥୋକାଏ ପକ୍ଷୀ ନାମ ଗଲି ଲେଖି ।

ଆବର ଶୁଣିମା ଥୋକେ ଚଉପଦୀ ଜନ୍ତୁ

ପୂରିଅଛନ୍ତି ବ୍ରହ୍ମାଣ୍ଡଯାକ ଯେତେ ତତ୍ତ୍ୱୁ ।

ବରାହ ହରିଣ ଗଜ ଅଶ୍ୱ ଯେ ସମ୍ବର

ସାଳୋହା ମୃଗ ଶଶା ଯେ ବଳିଆ ଝିଙ୍କର ।

ମହିଷିଦଳ ଶାର୍ଦ୍ଦୂଳ ଗୋରୁ ବାହୁଟିଆ

ଚୋଳଞ୍ଜା ମାର୍ଜରା କାଳିମୁଖା ବଣଭୁଆ ।

ଜମ୍ବୁକ ଗୟଳ ବ୍ୟାଘ୍ର ଭାଲୁ ମାଳ ମାଳ

କସ୍ତୁରୀ ଖରିଦ ମୂଷା ନକୁଳ ନେପାଳ ।

ଖୁରାଣ୍ଟି ସିଂହ ଯୂଅ ଯେ ଆବର ଭେରଣ୍ଡା

ଶରଭ ଚମରୁ ବନଗୋରୁ ଛୁଆ ଗଣ୍ଡା ।

କୁଟୁରା ମେଷ ଛେଳି ଯେ ଭେକ ଆଦିକରି

ଏ ବିଧିରେ ଲେଖିଗଲି ଚଉପଦି ଭରି ।

ଖୋଜିଣ ସବୁ ଲେଖିଲେ ପୋଥିଏକ ହେବ

ବଦ୍ରିକା ଆଶ୍ରମ ତୋଟା ଅଟଇ ଅପୂର୍ବ ।

ଆନନ୍ଦବନ ଏ ରୂପେ ପ୍ରକାଶେ ମହିମା

ମହାବିଶ୍ୱଗର୍ଭ ଅଟେ ବଦ୍ରିକାର ସୀମା ।

ସେ ବନେ କାଙ୍କୋଳା ଚନ୍ଦ୍ରମାଳୀ ଶରଜିତ

ଲୁଚାଏ ସୈନ୍ୟ ଘେନିଣ ମିଳିଲେ ଦଇତ ।

ସେ ବନ ମଧ୍ୟେପଶନ୍ତେ ଯାଇଁ ଦୈତ୍ୟ ଥୋକେ

ରହିଲେ ଧୀବର ଜାଲ ପ୍ରାୟେ ତୋଟା ଯାକେ ।

ଖାଳୋଇ ମଧ୍ୟେ ଯେ ରୂପେ ମାଛ ପକ୍ଷୀ ରହେ

ରହିଲେ ତୋଟାକାଣକେ ଯେ ଯାଇ ଅପ୍ରମେୟେ ।

ତୋଟାକୁ ଦେଖିଣ ଦୈତ୍ୟ ବହୁ ପ୍ରଶଂସନ୍ତି

ଯାବତ ଫଳ ଖାଇଣ ଉଦର ପୁରାନ୍ତି ।

ବୁଲନ୍ତି ରାଜାର ସଙ୍ଗେ ବୁଲି ବୁଲି ଆମ୍ଭେ

ଦେଖିନ ଥିଲୁ ସଂସାରେ ଏଡ଼େ ତୋଟା କେବେ ।

ସାତଦ୍ୱୀପ ଚତୁର୍ଦ୍ଦଶ ଭୁବନେ ଯେ ଛନ୍ତି

ଏ ରୂପରେ ତୋଟା କେହି ନେତ୍ରେ ନ ଦେଖନ୍ତି ।

କେତେକ ଅଛନ୍ତି ତହିଁ ତୋଟାଳିଆ ଖଟି

ଗଣି ଲେଖିଲେ ଯେ ହେବ ଷାଠିଏ ସସ୍ରଟି ।

ତାହାଙ୍କୁ ଜଗିଅଛନ୍ତି ପୁଣି କେତେ ସସ୍ର

ଭଲା ଏହାଙ୍କୁ ପୋଷିଛି ଦେଇ ଅନ୍ନ ବସ୍ତ୍ର ।

ମୃରକୀର୍ତ୍ତିକି ଦ୍ୱିଗୁଣ ବଦରିକା କ୍ଷେତ୍ର

ନୋହିଲେ ମାରନ୍ତି କି ସତରଲକ୍ଷ ପୁତ୍ର ।

ଆବର ଯେ ନବଲକ୍ଷ ନାତି ଗଲେ ମରି

ଗଡ଼କୁ ଏ ନିର୍ଭାକଲା କ୍ଷଣେ ବିଜେ କରି ।

ଗଡ଼ି ତ କେଡେ ଦିଶଇ ଭିତର ନ ଦେଖି

ଦିଶଇ ବାହାରେ କେତେ ତୋରା ଚାରିପାଖି ।

ଆବର ଆସନ୍ତି ଗଙ୍ଗାପାଣି ବୁହା କେତେ

ଦିଅନ୍ତି ଓୌଷଧ ବୃକ୍ଷମୂଳେ ଜଳେ ନିତ୍ୟେ ।

କୋଦାଳ କୁରାଢୀ କୋଡ଼ି କ୍ଷଣେ ନ ଛାଡ଼ନ୍ତି

ଶୋଧନ୍ତି ମେଦିନୀଯାକ କରି ଚୂର୍ଣ୍ଣ ଗତି ।

ଝିଙ୍କର କଣ୍ଟକ ଖାଲ ଖଣା ବିବର୍ଜିତ

ଶୋଧନ୍ତି ପାଷାଣ ତାଡ଼ି ମାଟି ଅପ୍ରମିତ ।

ଏସନ ବନେ ରହିଲୁ ଆମ୍ଭେ ବସାପାଡ଼ି

ଏମନ୍ତ ବୋଲି ଖାଆନ୍ତି ଦୈତ୍ୟ ଫଳ ଲୋଡ଼ି ।

ତୋଟାର ରକ୍ଷକ ଦେଖି ମହା କୋପଭରେ

ବୋଇଲେ ଏଠାକୁ ଆସ କାହା ଆଦେଶରେ ।

ମଣୋହି ତୋଟାରେ କରୁଅଛ ଉପଦ୍ରବ

ନ ଜାଣ କି ଆରେ ମୂଢେ ନୃସିଂହ ପ୍ରଭାବ ।

ପଳାଅରେ ବେଗେ ଏଥୁଁ ଥାଉଁ ଥାଉଁ ପ୍ରାଣ

ନୃସିଂହ ଜାଣିଲେ ଯମପୁରେ ଯିବ ପୁଣ ।

ଦୈତ୍ୟ ବୋଇଲେ ରେ ତୁମ୍ଭ ପ୍ରଭୁ ଆଗେ କହ

ଆମ୍ଭଙ୍କୁ ପଠାଇଅଛି ମୁରଦୈତ୍ୟ ରାୟ ।

କାଙ୍କୋଳ ଚନ୍ଦ୍ରମାଳୀ ଯେ ଶରଜିତ ଘେନି

ଆସିଛନ୍ତି ଯୁଦ୍ଧପାଇଁ ଏହି ବୀର ତିନି ।

ତେର ପଦ୍ମ ସୈନ୍ୟ ସଙ୍ଗେ ଅଛନ୍ତି ଯେ ଆସି

ତୋଟାରେ କି ଅଛି ଯିବୁ ବଦରିକା ନାଶି ।

ଶୁଣି ଲକ୍ଷାପାଳେ ଧାଇଁ ଗଲେ ଅନ୍ତରାଳେ

ନୃସିଂହ ଛାମୁରେ ଯାଇ କହିଲେ ତତ୍କାଳେ ।

ବୋଇଲେ ଶୁଣ କମଳାକାନ୍ତ ମହାପ୍ରଭୁ

ଭାଙ୍ଗିଲେ ଆନନ୍ଦବନ ପଶି ଦୈତ୍ୟେ ସବୁ ।

ବୋଇଲେ ତୁମ୍ଭ ପ୍ରଭୁଙ୍କୁ କହ ବେଗେ ଯାଇ

ସେ କଥା ଶୁଣି ଅଇଲୁ ଆମ୍ଭେ ଶୀଘ୍ର ଧାଇଁ ।

ଶୁଣିଣ ନୃସିଂହ ସ୍ୱାମୀ ଅଳ୍ପେ ଦେଲେ ହସି

ବୋଇଲେ କହରେ ଦୈତ୍ୟ କେତେ ଛନ୍ତି ଆସି ।

ତୋଟାର ରକ୍ଷପାଳକେ ବୋଇଲେ ହେ ଶୁଣ

ତିନିଗୋଟି ସେନାପତି ଆସିଛନ୍ତି ଜାଣ ।

ଗୋଟିଏ କାଙ୍କୋଳାସୁର ଏକ ଶରଜିତ

ଗୋଟାଏକ ଚନ୍ଦ୍ରମାଳୀ ଏହି ତିନି ଦୈତ୍ୟ ।

ତେରପଦ୍ମ ଯାଏ ଆସିଅଛନ୍ତି ସଇନି

ତୋଟା ଉଜାଡ଼ୁଅଛନ୍ତି ସେନାପତି ତିନି ।

ଦୈତ୍ୟଙ୍କ ତାରିଫ ଦେବ କହିଲେ ନ ସରେ

ପୃଥ୍ୱୀ ଖୋଳି ନେଲା ପ୍ରାୟ ଡ଼ରାନ୍ତି ଅସୁରେ ।

ସତେକି ତୋଟା ଆମ୍ଭର ଖୋଳିନେବେ ବହି

ନ ପାରୁ ତାହାଙ୍କ ପ୍ରୌଢି ଦେବ ଆମ୍ଭ ସହି ।

ତାହା ଶୁଣି ମହାପ୍ରଭୁ ଅଳ୍ପ ଅଳ୍ପ ହସି

ସୁଜାଣ ମନ୍ତ୍ରୀକି ଆଜ୍ଞା ଦେଲେ ବ୍ରହ୍ମରାଶି ।

ବୋଇଲେ ସୈନ୍ୟ ଅମ୍ଭେର ବେଗେ କର ସଜ।

ଏରୂପେ କହି ଗରୁଡ଼େ ଜଢି ଦେବରାଜ।

ଶେଷଦେବଙ୍କୁ ସଙ୍କତେ ଘେନି ଚକ୍ରପାଣି।

ବସିଲେ ଶ୍ରୀ ଦେବଯାନ ରଥେ ସପ୍ତଫେଣୀ।

ପୁଣି ଚାହିଁଲେ ଗରୁଡ଼ ମୁଖ ଭାବଗ୍ରାହୀ

ବୋଇଲେ ଗରୁଡ଼ ତେରପଦ୍ମ ହୁଅ ତୁହି ।

ସେ ତିନି ସେନାକୁ ଆମ୍ଭ ମୂଳେ ଦିଅ ଛାଡ଼ି

ଆବର ତୁ ଦୈତ୍ୟଙ୍କର ପକା ବେକ ମୋଡ଼ି ।

ଶୁଣିଣ ବଢିଲା ଖଗପତି ଶତେ ଯୁଣ

ତାହା ଦେଖିଣ ସନ୍ତୋଷ ହେଲେ ନାରାୟଣ ।

ପଞ୍ଚାଶ ଯୋଜନ ଯାଏ ବିସ୍ତାରିଲା ଡେଣା

ପଞ୍ଚାଶ ଯୁଣ ଯେ ଲମ୍ବ ଥଣ୍ଟ ଲମ୍ବ ଅକଳଣା ।

ପନ୍ଦର ସହସ୍ର ଯୁଣ ପିଠି ବିସ୍ତାରିଲା

ସପତ ଯୋଜନ ମୋଟ କଟୀ ବେଢ଼ କଲା ।

ତିନିଶତ ଯୋଜନ ସେ ବିସ୍ତାରିଲା ପାଦ

ଦେହ ଓସାର କଳି କେ ନପାରେ ତା ହୃଦ ।

ଯୋଜନ ଯୋଜନକେ ବିସ୍ତାରିଲା ନଖ

କ୍ଷଣକେ ସେ ପାର ହୋଇ ସସ୍ରକୋଟି ମୁଖ ।

ନୃସିଂହ ପ୍ରଭୁଙ୍କ ଆଜ୍ଞା ଫିଟେ ଯେତେ ମୁଖୁ

ଆସଇ ସେ ତେତେ କାର୍ଯ୍ୟ କରି ଦେଖୁ ଦେଖୁ ।

ଏବେ ସେ ବୋଇଲେ ତେରପଦ୍ମ ରୂପ ଧର

ସେହି ରୂପ ଧଇଲେକ ବନିତା କୁମର ।

ନିଜମୂର୍ତ୍ତି ଗୋଟିକରେ ବିଷ୍ଣୁ ଛନ୍ତି ବହି

ଶୁଣ ଆହେ ନାରଦ ଯେ ବିଷ୍ଣୁ ଗ୍ରନ୍ଥ କହି ।

ଏଥୁଅନନ୍ତରେ ମନ୍ତ୍ରୀ ସୈନ୍ୟବଳ ସାଦ୍ଧି

ବାହାରିଲେ ସିଂହଦ୍ୱାରେ ଲଗ୍ନ ବେଳା ବୁଝି ।

ଚାଲନ୍ତି ନୃସିଂହ ଆଗେ ପାରିଷଦ ଗଣେ

ବିଷ୍ଣୁର ପ୍ରଭା ପ୍ରକାଶି ଯାନ୍ତି ଜଣେ ଜଣେ ।

ମହାବଳ ସତ୍ୟାନନ୍ଦ ସୁବନ ସୁନନ୍ଦ

ଆକନ୍ଦ ଗୋବିନ୍ଦ ଆଦିକନ୍ଦ ଉପନନ୍ଦ ।

ସୁକୁନ୍ଦ ବିନୋଦ ମହାନନ୍ଦ ପ୍ରେମାନନ୍ଦ

କୁବିନ୍ଦ ଆବର ମହାକୁମ ସଦାନନ୍ଦ ।

ସୁମନ ବ୍ରାହ୍ମଣ୍ୟ ବିଶ୍ୱକସେନ ବିଦ୍ୱଜନ

ଦୃମନ ବିଶ୍ୱକେସନ ଜୀବ ଜନାର୍ଦ୍ଦନ ।

ସୁଭଦ୍ରା ବୀରଭଦ୍ରା ଯେ ମହାଭଦ୍ରାଗଣ

ଅଜୟନ୍ତ ବିଜୟନ୍ତ ଜୟନ୍ତ ବରୁଣ ।

ହରିଦାସ ରାମଦାସ କୃଷ୍ଣଦାସ କହି

ଅଟନ୍ତି ନୃସିଂହ ସଖାଗଣ ଜାଣ ଏହି ।

ଶ୍ରୀହରି ସେବାରେ ସଦା ଥାଆନ୍ତି ଏମାନେ

ଅବତାର ଗୋଟିକରେ ନାମ ଭିନ୍ନେ ଭିନ୍ନେ ।

ନୃସିଂହ ଗହଣେ ଚାଲୁଛନ୍ତି ସର୍ବେ ମିଳି

ଶ୍ରୀନୃସିଂହ ଗୁଣ ଗାଇ ଯାନ୍ତି ଢଳି ଢଳି ।

ସ୍ୱର୍ଣ୍ଣ ଜରୀ ବିଭୁଷିତ ପଗଡ଼ି ଶିରରେ

ନାନାରଙ୍ଗ ଝୀନବାସ ଶୋଭଇ ଶରୀରେ ।

ହରିମନ୍ଦିର ତିଳକ ଭାଲପଟେ କାଟି

ଦିଶଇ ନାଶାରୁ କେଶଯାଏ ପ୍ରଭାଗୋଟି ।

ବସନ୍ତ କୁଣ୍ଡଳ କଳା ଧଳା ପୀତବର୍ଣ୍ଣ

ଏ ରୂପେ ତିଳକ ଘେନିଛନ୍ତି ବିଷ୍ଣୁଗଣ ।

କଣ୍ଠରେ ରୁଦ୍ରାକ୍ଷମାଳୀ କର୍ଣ୍ଣେ ବୀରବଲ୍ଲୀ

ହୃଦରେ ଯେ ହୀରାପଦ୍ମ କରେ ପାଟଫୁଲି ।

କଟୀରେ ଯେ କଷାବସ୍ତ୍ର ତ୍ରିକଚ୍ଛ କାଛେଣୀ

ଆବର ଯେ ସୁନାସୂତା ଶିକୁଳି ଛନ୍ଦଣି ।

ସମସ୍ତଙ୍କ କରେ ଶଙ୍ଖ ଚକ୍ର ଗଦା ଶୋଭା

ବଜାନ୍ତି ଝଞ୍ଜାଳ ବେଣୁ ବୀଣା କେହୁ ରବା ।

ସବୁରି କରେ ଅଛଇ ପର୍ଶୁପାଶ ଭାଲ

ମୁଷଳ ଗଦା ଭୁଷଣ୍ଡୀ ଶକ୍ତି କାତି ଛେଲ ।

ଚାମର ଛତ୍ରି ତାରାସ ଦଣ୍ଡ ଦେଲା ଟେକି

ସେବାରେ ଲାଗିଅଛନ୍ତି ହରିନାମ ଡାକି ।

ହରିଗଣ ମହିମା ଏ ରୂପ ଅଗୋଚର

ଆଗରେ ସ୍ତୁତି କରନ୍ତି ଭୋଟ କଏବାର ।

ଏଥିଉତ୍ତାରୁ ଯେ ଶୁଣ ନାରଦ ମହର୍ଷି

ପ୍ରଭୁଙ୍କୁ ଜଣାଇଲେ ସୁଜାଣ ମନ୍ତ୍ରୀ ଆସି ।

ବୋଇଲେକ ସାବଧାନେ ଶୁଣ ମହାପ୍ରଭୁ

ମିଳିଲେ ପଞ୍ଚାଶ ଖର୍ବ ସୈନ୍ୟ ଆସି ସବୁ ।

ଆଜ୍ଞାକଲେ ଆଉ ସୈନ୍ୟ ମିଳିବେକ ଆସି

ଶୁଣିଣ ନୃସିଂହ ପ୍ରଭୁ ଅଳ୍ପ ଅଳ୍ପ ହସି ।

ବୋଇଲେକ ତିନିସେନା ଆସିଛନ୍ତି ଯେବେ

ତାହାଙ୍କୁତ କ୍ଷଣମାତ୍ରେ ମାରିଦେବୁ ଆମ୍ଭେ ।

ପ୍ରଥମେ ସମ୍ଭ୍ରମେ ଯିବା ତୋଟାକୁ ଯେ ବୋଲି

ତେଣୁ ଏ ଦେଖଣାହାରୀ ଥାଟ ସୈନ୍ୟ କଲି ।

ଚାଲନ୍ତି କର୍ଣ୍ଣାଟେଶ୍ୱର ରାଜା ଆଗ ହୋଇ

ଦେଖା ଦିଅନ୍ତୁ ସେ ତୋଟା ବାହାରେ ଯେ ଥାଇ ।

ଦେଖ ମନ୍ତ୍ରୀ ଗରୁଡ଼ ଯେ କେତେ ଗୋଟା ମୋର

ହେଲେଣି ସେ ତେରପଦ୍ମ ଯାଏ ଅବତାର ।

ଏରୂପେ ବୋଲି ଶ୍ରୀଭୁଜେ ପ୍ରଭୁ ଆଉଁଶିଲେ

ତେରପଦ୍ମ ନୃସିଂହ ଅଙ୍ଗୁ ଜାତ କଲେ ।

ତେର ପଦ୍ମ ଗରୁଡ଼ରେ କଲେ ଯାଇ ବିଜେ

ନିଜ ଗରୁଡ଼ରେ ବସିଛନ୍ତି ଦେବରାଜେ ।

ସବୁରି ହସ୍ତରେ ଶଙ୍ଖଚକ୍ର ଗଦାପଦ୍ମ

ମିଳିଲେ ସେ ବନେ ଯାଇ ଶ୍ରୀନୃସିଂହ ବ୍ରହ୍ମ ।

ଆନନ୍ଦବନର ମଧ୍ୟେ ଅଛି ଯଜ୍ଞବେଦୀ

ତହିଁ ବିଜେ କଲେ ନରସିଂହ ଦୟାନିଧି ।

ଗଡ଼ର ଉତ୍ତର ଭାଗେ ଯେ ଆନନ୍ଦବନ

ସେ ବନେ ପଶି ଦେଖିଲେ ବହୁ ବହୁ ସୈନ୍ୟ ।

ତେରପଦ୍ମ ନୃସିଂହ ସେ ଅଙ୍ଗୁ ଜାତ କଲେ

କହିବା ତାହାଙ୍କ ନାମମାନ ଶୁଣ ଭଲେ ।

ଆଲୌକିକ ଅଟେ ଏହି ପୁରାଣ ପ୍ରସଙ୍ଗ

ପ୍ରଥମ ନାମ କହିବା ଶ୍ରୀବତ୍ସ ନରସିଂହ ।

କୂର୍ମ ବରାହ ବାମନ ଭାର୍ଗବ ନୃସିଂହ

ଶ୍ରୀରାମ କୃଷ୍ଣ ନୃସିଂହ ବଉଦ୍ଧ ନୃସିଂହ ।

କଳିକି ନୃସିଂହ ପୁଣି ଗୋବିନ୍ଦ ନୃସିଂହ

ଏ ଛପନକୋଟି ଜୀବ ପ୍ରତେକ୍ଷ୍ୟ ନୃସିଂହ ।

ଘର୍ଘର ନୃସିଂହ ଭଦ୍ର ଚଞ୍ଚଳ ନୃସିଂହ

ଭୃଗୁ ନୃସିଂହ ଭୈରବ ଝର୍ଝର ନୃସିଂହ ।

ଝଝମ୍ପଠାକୁର ଆଉ ନିର୍ଗୁଣ ନୃସିଂହ

ମୁଖପଦ୍ମ ଜଗନ୍ମୟ ତ୍ରୈଲୋକ୍ୟ ନୃସିଂହ ।

ଅନାଦି ନୃସିଂହ ଦୟାଧଇର୍ଯ୍ୟ ନୃସିଂହ

ନମଇଁ କରୁଣା ସିନ୍ଧୁ ଅଭୟ ନୃସିଂହ ।

ମଧୁସୂଦନ ନୃସିଂହ ଶ୍ରୀମନ୍ତ ନୃସିଂହ

ଗରୁଡ଼ ଶ୍ରୀଯୋଗାରୁଡ଼ ଲଳିତ ନୃସିଂହ ।

ମହାଶାନ୍ତ ସଙ୍କର୍ଷଣ ବୀର ନରସିଂହ

ଶରଣ ପଞ୍ଜର ବ୍ରହ୍ମ ଓଁକାର ନୃସିଂହ ।

ହକାର ନୃସିଂହ ରୂପୀ ଶେଖର ନୃସିଂହ

ଭୂଚରରୂପେ ନୃସିଂହ ଗୋପାଳ ନୃସିଂହ ।

ଭୂପାଳ ଶ୍ରୀଧରେ ପୁଣି ମାଧବ ନୃସିଂହ

ଗନ୍ଧର୍ବ ନରସିଂହ ଯେ ଶ୍ରୀହରି ନୃସିଂହ ।

ମୁରାରୀ ନୃସିଂହ ରୂପ ଗୋବତ୍ସ ନୃସିଂହ

ଦାମୋଦର ନରସିଂହ ଶ୍ରୀବତ୍ସ ନୃସିଂହ ।

ଉପଇନ୍ଦ୍ର ଦେବଇନ୍ଦ୍ର ମୃଗେନ୍ଦ୍ର ନୃସିଂହ

ହଇମ ହାହା ନୃସିଂହ ଦେହେ ନରସିଂହ ।

ଧରଧର ନରସିଂହ ମୋର ନରସିଂହ

ଶ୍ରୀମାତା ନୃସିଂହ ଆଉ ଶ୍ରୀପିତା ନୃସିଂହ ।

ଯତୋ ଅନ୍ତର୍ଯ୍ୟାମୀ ପ୍ରଭୁ ତତୋ ନରସିଂହ

ଏ ବିଧି ଜନ୍ମିଲେ ବିଷ୍ଣୁ ଅଙ୍ଗରୁ ନୃସିଂହ ।

କେତେ ନାମରେ ନୃସିଂହ ଆଖ୍ୟା ରହିନାହିଁ

ସବୁ ନାମ ପରେ ବୁଝ ନୃସିଂହ ଚିତୋଇ ।

ତେରପଦ୍ମ ଗରୁଡ଼ ପୃଷ୍ଠେ ବିଜେ କଲେ

ସମସ୍ତଙ୍କ କରେ ଶଙ୍ଖ ଚକ୍ର ପ୍ରକାଶିଲେ ।

ଭକ୍ତକୁ ଦିଶନ୍ତି ପ୍ରଭୁ ସବୁ ହରି ମୟ

ଦୁଷ୍ଟଗଣଙ୍କୁ ଦିଶନ୍ତି ପ୍ରଳୟ ପରାୟ ।

ବୀରାଧିବୀରଙ୍କ ପ୍ରାୟ ସର୍ବେ ସଜ ହୋଇ

ଶ୍ରୀହରି ମନ୍ଦିର ଚିତା ଶଙ୍ଖ ଚକ୍ର ବହି ।

ଯେଉଁ ନୃସିଂହ ରୂପ ତ୍ରୈଲୋକ୍ୟରେ ସମ୍ଭବେ

ସହସ୍ର କାଙ୍କୋଳାପ୍ରାୟେ ଦୈତ୍ୟ କି କରିବେ ।

ଯାହାକୁ ଯେତେ ବେଳେଟି ଥାଏ ଯେଉଁ ଯୋଗ

ବିଧାତା ଯେ ତାହା ଆଣିକରେ ବଇଭୋଗ ।

କାଙ୍କୋଳା ଅସୁର ଶରଜିତ ଚନ୍ଦ୍ରମାଳୀ

ନୃସିଂହଙ୍କ ସୈନ୍ୟ ଦେଖି ମନେ ମନେ ଭାଳି ।

ବୋଲନ୍ତି ହୋ ଦେଖ ଦେଖ ବ୍ରାହ୍ମଣଙ୍କ ଛବି

ସମ୍ପଦ ଭୋଳେ ଚାଲନ୍ତି ହୋଇ କେଡ଼େ ଗର୍ବୀ ।

ଏରୂପେ ଯେ ଆମ୍ଭେ ଅଛୁ ବୋଲି ବଡ଼ପଣେ

ଆସିନ୍ତି ପକ୍ଷୀ ଲୋଚାଏ ଚଢ଼ି ଜଣେ ଜଣେ ।

ଏଣୁ ଏହି ବିପ୍ରକୁଳ ସର୍ପଠାରୁ ବଳେ

ଯେତେ କ୍ଷୀରଦେଲେ ତାହା ହୁଏ ବିଷ କାଳେ ।

ଏ ଘେନି ତ ଗଜ ଦ୍ୱିଜ ଶ୍ୱାନ ବୁଦ୍ଧି ଏକ

ପରକୁ ହିଂସା କରିଣ ମରନ୍ତି ତ୍ରିଲୋକ ।

 

 

କୁକ୍‌କୁଟ ଶାଗୁଣା କାକ ତିନି କୁଳ ଜାତି

ପରକୁ ପୋଷୁ ଥାଆନ୍ତି ଏହୁ ଦିନରାତି ।

ସର୍ପକୁ ପୟ ଦେଲେ ନ ହୁଅଇ କି ବିଷ

ବିପ୍ରଙ୍କୁ ସେହି ରୂପରେ ନ ଯିବ ବିଶ୍ଵାସ ।

ରାଜାପୁତ୍ରଙ୍କୁ ଆଖଡ଼ାଘରେ ମାରିଦେଇ

ପଳାଇ ଆସି ବାନ୍ଧିଲେ ଗଡ଼ ଦେଖ ରହି ।

ଯାହାର ଦ୍ରବ୍ୟ ଖାଆନ୍ତି ତାକୁ ଶୂଳ ହୋନ୍ତି

ପାପକୁ ନ ଡ଼ରି ମୂଢ଼େ ପ୍ରାଣୀଙ୍କୁ ଶାପନ୍ତି ।

କାଙ୍କୋଳାବୋଲଇ ତୋଟା ନଗର ଭାଙ୍ଗିବି

ନୃସିଂହ ବେନି ଭାଇଙ୍କି ଆଜି ମାରିଦେବି ।

ଶବରର ଫାନ୍ଦେ ପଡ଼ି ମୃଗ ଯିବ କାହିଁ

ଧୀବର ଜାଲେ କି ପଡ଼ି ମୀନ ଜୀବ ପାଇ ।

ବ୍ୟାଧିର ଅଠା ଲାଗିଣ ପକ୍ଷୀ ନ ମରେ କି

ସର୍ପମୁଖେ ପଡ଼ି ଭେକ କେବେ ବଞ୍ଚଇ କି ।

ବ୍ୟାଘ୍ରର ମୁଖରୁ ବର୍ତ୍ତି ପାରଇ କି ମେଷ

ଶ୍ୟାମଳ କବଳୁ ବଳ ପ୍ରାଣର କି ଆଶ ।

ରବି ଉଦୟେ କି କେବେ ଅନ୍ଧକାର ରହେ

ତେସନ ହୋଇଲା ମୋର ଆଗେ ଦ୍ଵିଜପୋଏ।

ଯେଉଁପରି ରାହୁ ଗ୍ରହ ଚନ୍ଦ୍ରଙ୍କ ଗ୍ରାସଇ

ନୃସିଂହ ଗ୍ରାସିବା ପାଇଁ ତେହ୍ନେ ଆସିଛଇଁ ।

ପୂର୍ବେ ମୁହିଁ ବାସବଙ୍କୁ ରଖିଥିଲି ବାନ୍ଧି

ସହସ୍ର ବରଷଯାଏ ଥିଲା ବେଡ଼ି ପିନ୍ଧି ।

ସେ କଥା ଲକ୍ଷ୍ମୀକାନ୍ତ ନ ପାରେ ମନେ ଭାବି

ପକ୍ଷୀ ଲୋଚାଏ ବେଢ଼ିଣ ଆସେ ମୋରେ ଯୁଝି।

ଆମ୍ଭେ ଏତେଲୋକ ବୋଲି କହେ ଗର୍ବ ବହି

ସମ୍ପତ୍ତି ଦେଖାଇ ଆସେ କ୍ଷତ୍ରୀକୁଳ ନୋହି

ବ୍ରାହ୍ମଣ କୁଳ ଏ କୃଷ୍ଣବଲ୍ଲଭ ପୋଏ

ଚହଟି ହେଉଅଛନ୍ତି ସଫରୀଙ୍କ ପ୍ରାୟେ ।

 

ମୋ ଆଗେ ପଡ଼ିଲେ ନିଶ୍ଚେ ଯିବେ ଯମପୁର

ଶୁଣିଲେ କେଡ଼େ ସନ୍ତୋଷ ହେବ ମୃରାସୁର

ଏ ରୂପେ କାଙ୍କୋଳା ମନେ ପାଞ୍ଚେ ପାପ ବୁଦ୍ଧି

ଜାଣିଲେ ଅସୁର ମନକଥା ଦୟାନିଧି ।

ବୋଇଲେ ଘୋଟିଲା ପାପିଷ୍ଠକୁ ସନ୍ନିପାତ

ଏହାକୁ ଯେ ନେବା ପାଇଁ ବସିଛି କୃତାନ୍ତ ।

ପଦାର୍ଥ ମଦେ ବୟସ ମଦେ ଏ ନ ଜାଣି

ଏ ହେତୁ ଲୋକ ନ କହେ କେଭେ ଭଲ ବାଣୀ।

ପରକୁ ପ୍ରମାଦ ଏହି ଦୁହେଁ ଚିନ୍ତୁ ଥାନ୍ତି

ବସିଅଛି ମୃତ ମୁଣ୍ଡେ ବୋଲି ନ ଜାଣନ୍ତି ।

ମାରି ଖାଉଥିବା ବୋଲି ପାଞ୍ଚୁ ଥାନ୍ତି ହୃଦେ

ଏହିଟି ପଡ଼ନ୍ତି ଅପଘାତେ ଅପ୍ରମାଦେ ।

ବିଜ୍ଞଜନମାନେ ସିନା ପରହିତେ ଥାନ୍ତି

ମଧୁର ଭାଷୀ ହୋଇଣ ବାକ୍ୟେ ପ୍ରକାଶନ୍ତି ।

ପରର ପ୍ରମାଦ ଦେଖି ନ ପାରନ୍ତି ସହି

ନ ଭାଳ ବୋଲି ଭରସା ଦେଉଥାନ୍ତି ତହିଁ ।

ଏକ ଯୁବତୀରେ କଟୁଥାନ୍ତି ଦିନକାଳ

ଏକ ବଚନକେ କହି ହୁଅନ୍ତି ସେ ମେଳ ।

ମାତା ପିତା ପାଦେ ନିତ୍ୟେ କରନ୍ତି ସେ ସେବା

ଦେବତା ବିପ୍ରରେ ଭକ୍ତିଥାଏ ରାତ୍ର ଦିବା ।

ବିଷ୍ଣୁ ପୂଜବିଧି କରିଥାନ୍ତି ବାରମାସି

ଦୁର୍ଜ୍ଜନ ଲୋକଙ୍କ ତୁଲେ ବଚନ ନ ଭାଷି

ରହନ୍ତି ଦୁଷ୍ଟଲୋକଙ୍କୁ ଦେଖି ଅପସରି

ପରହିତେ ଥାନ୍ତି ଆତ୍ମାଠାରେ ଦୟା କରି ।

ପରାର୍ଥେ ଧର୍ମ କରିଣ ସଦାଦିନ ଥାନ୍ତି

ସଂସାରେ ହୁଡ଼ି କାହାକୁ କିଛି ନ କହନ୍ତି ।

ଏମନ୍ତ ଲୋକଙ୍କ ହୃଦେ ବିଜେ ନରହରି

ନିର୍ମଳ ଚିତ୍ତେ ତାହାଙ୍କୁ ଦୟା ଥାନ୍ତି କରି ।

ତଥାପି କଷଣ ଯେବେ ଧର୍ମେ ଥାଇ ପଡ଼େ

ଅଳ୍ପକେ ଖଣ୍ଡନ୍ତି ତାଙ୍କ କ୍ଳେଶ ଯୋଗାରୁଢ଼େ ।

ଏ ରୂପେ ପାଞ୍ଚନ୍ତେ ଅନ୍ତର୍ଯ୍ୟାମୀ ଅନ୍ତରଙ୍ଗେ

କାଙ୍କୋଳାସୁର ମିଳିଲା ଆସି ପ୍ରଭୁ ଆଗେ ।

ବୋଇଲେ ଶୁଣ ହେ କୃଷ୍ଣବଲ୍ଲଭ ପୋଏ

ସର୍ବଦା ଏ ରୂପ କର୍ମ ବ୍ରାହ୍ମଣର ନୋହେ ।

ଦ୍ଵାବିଂଶତି ଗୁଣ ଥିଲେ ବିପ୍ରେ ପୂଜା ଜାଣି

ଦେଖାଅ ହଟ ଚମକ ବିଦ୍ୟା କେତେ ପୁଣି ।

ମୃର ଦୈତ୍ୟର ନଗ୍ରକୁ ଗଲ ବିଦ୍ୟା କହି

ତର୍ଚ୍ଛରେ ନ କହି ତାଙ୍କୁ ଅଇଲ ପଳାଇ ।

ତୁମ୍ଭଙ୍କୁ ନ ଦେଖି ଆମ୍ଭ ମୃରାସୁର ରାଜା

ହେଳା କରି ରହିଲା ସେ ନ କରିଣ ପୂଜା ।

ଏ ରୂପେ ବସିଛି ମୃରାସୁର ହୋଇ ମାନୀ

ଆସିଅଛୁ ତୁମ୍ଭଙ୍କୁ ଯେ ଯିବି ମୁହିଁ ଘେନି ।

ସଜ ହୋଇ ଚାଲ ଏବେ ବେଗ ହୋଇ ଆସ

ନ ଗଲେ କରିବ ଆମ୍ଭ ରାଜା ମହାରୋଷ ।

ଏ ରୂପେ କାଙ୍କୋଳାସୁର କହଇ କପଟେ

ବୋଲେ ଅନ୍ତର୍ଯ୍ୟାମୀ ଏହି ଭଲା ଆସି ରଟେ ।

ନୃସିଂହ ବୋଇଲେ ତୁହି ଶୁଣରେ କାଙ୍କୋଳା

ସେ କଥା ଯେ ଦେଖି ଶୁଣି ନାହିଁ କର୍ଣ୍ଣଡୋଳା ।

ବିଦ୍ୟାଗୁରୁ କରି ମୋତେ ରଖି ନେଇ

ମାର ବୋଲି ତନୟଙ୍କୁ କହିଲା ବତାଇ ।

ନିଶାର୍ଦ୍ଧେ ଆସି ରହିଲେ ମୋର ଘରେ ବେଢ଼ି

ଭାଙ୍ଗି ଗୁଣ୍ଡା କରିଦେଲେ ଛାଡ଼ି ଘୋର ରଡ଼ି ।

ଦଇବେ ସେ ଦିନ ଆମ୍ଭେ ପ୍ରକୃତି ଯେ କରି

ନଦୀକି ଯାଇଣ ଥିଲୁ କି ରୂପେ ବାହାରି ।

ଶତ୍ରୁ ନାଶିଲୁ ବୋଲିଣ ମନେ ଦୈତ୍ୟପାଞ୍ଚି

ଜୟ ଶବଦ କରିଣ ତହୁଁ ଗଲେ ଘୁଞ୍ଚି ।

ଆଦିତ୍ୟ ଉଦେ ହୁଅନ୍ତେ ଆସିଲେ ସେ ଦେଖି

ପଲ୍ୟଙ୍କରେ ଶୋଇଥିଲୁ ଆମ୍ଭେ ବୁଜି ଆଖି ।

ଦେଖିଣ ଆମ୍ଭଙ୍କୁ ସେହି ହେଲେ ଚମତ୍କାର

ବଞ୍ଚାଇ କହିଲେ କଥାମାନ ଦୁରାଚାର ।

ବୋଇଲେ ଏ ରାତ୍ରେ ବିଦ୍ୟା ପଚାରି ଆସିଲୁ

ତୁମ୍ଭର ଗୃହେ ଭୁଜଙ୍ଗ ପଶିଲା ଦେଖିଲୁ ।

ଆମ୍ଭ ଗୁରୁଙ୍କୁ ଗିଳିଲା ନିଶ୍ଚେ ସର୍ପ ବୋଲୁଁ

ତାହାକୁ ଖୋଜିଣ ଘର ଭାଙ୍ଗି ପକାଇଲୁ ।

ଏ ରୂପେ ବଞ୍ଚାଇ କହି ଚଳନ୍ତେ ଦାନବେ

ତାହା ନ ଘେନିଲୁ ଆମ୍ଭେ ସମଦର୍ଶିଭାବେ ।

ଲେଉଟି ସେ ଆରଦିନ ଅର୍ଦ୍ଧରାତ୍ରେ ଆସି

ଆଖଡ଼ାଘରେ ପୋଡ଼ିଲେ ଦେଇ ଅଗ୍ନି ରାଶି ।

ଉବୁରି ଆସିଲୁ ଆମ୍ଭେ ଧର୍ମେ ତହୁଁ ଚଳି

ଜାଣୁ ଜାଣୁ କହୁ କି ତୋ ପରା ଦୂତ ମିଳି ।

କାଙ୍କୋଳା ବୋଲେ ଦୂତ ପ୍ରାୟେ ଦିଶଇକି

ମୋର ନାମେ ସ୍ଵର୍ଗପୁର ପଡ଼ଇ ଚମକି ।

ବାସବକୁ ବନ୍ଦୀକରି ରଖିଥିଲି ରଣେ

ମୃର ଦୈତ୍ୟର ସେନା ମୁଁ ଅଟେ ବଡ଼ ଜଣେ ।

ଦେଖିଛ ଦଇତ କେତେ ଆସିଛି ମୁଁ ଘେନି

ଲେଖିଲେ ତ ତେରପଦ୍ମ ହୋଇବେ ସଇନି ।

ତୁମ୍ଭ ବେନି ଭାଇଙ୍କି ଯେ ପୁଣି ନେବାପାଇଁ।

ଦେଇଛି ରାଜନ ମତେ ଶ୍ରଦ୍ଧାରେ ପଠାଇ।

ତୁମ୍ଭଙ୍କୁ ନ ଘେନି ସଙ୍ଗେ କେହ୍ନେଯିବୁଁ ବୃଥା।

ଗଲେ ବୁଝିବା ପଛକେ ସେଠାରେ ବ୍ୟବସ୍ଥା।

ନୃସିଂହ ବୋଇଲେ ପୁଣି ଶୁଣରେ ଅସୁର।

କେବେ ହେଁ ଆମ୍ଭେ ଏଠାକୁ ନ ଯିବୁ ଏଥର ।

କାଙ୍କୋଳା କହିଲା ତାହା ଶୁଣି ଉଚ୍ଚେ ବାଣୀ

ବୋଇଲା ଧରିନେଲେ ତୁ କି କରିବୁ ପୁଣି ।

ନୃସିଂହ ବୋଇଲେ ମୋତେ ଧରିନେବା ପାଇଁ

ଏହି ତିନିପୁର ମଧ୍ୟେ କେହି ଦିଶୁନାହିଁ ।

କାଙ୍କୋଳା ବୋଇଲା ମୁହିଁ ନେବି ଏକାଧରି

ମୋର ନାମେ ଚମକି ଯେ ପଡ଼େ ତିନିପୁରୀ ।

ଇନ୍ଦ୍ରଙ୍କୁ ଶାଙ୍କୋଳି ଦେଲି ସହସ୍ର ବରଷ

ତୁମ୍ଭେ କୃଷ୍ଣବଲ୍ଲଭ ଅଟ ବେନି ଶିଷ୍ୟ ।

ନୃସିଂହ ବୋଇଲେ କହୁଅଛ ସତ୍ୟକରି

ତୋହପରି ଚାରିଲକ୍ଷ ନ ପାରବେ ଧରି ।

ସାମାନ୍ୟ ପ୍ରାୟ କି ମୋତେ ମଣିଲୁ ଏକାନ୍ତ

ଅଶେଷ ବ୍ରହ୍ମାଣ୍ଡେ ମୁହିଁ ଅଟେ ଲକ୍ଷ୍ମୀକାନ୍ତ ।

କ୍ଷୀର ସିନ୍ଧୁ ବୈକଣ୍ଠେ ମୁଁ ଭଗବାନ ହେଲି

ଦୁଷ୍ଟ ମାରିବାକୁ ମୁହିଁ ଉତ୍ପନ୍ନ ହୋଇଲି

ମୁହିଁ ସେହି ମତ୍ସ୍ୟରୂପ ମୁହିଁ କୂର୍ମଜାଣ

ମୁହିଁ ସେ ବରାହ ମୂର୍ତ୍ତି ନରସିଂହ ପୁଣ ।

ମୁହିଁଟି ବାମନ ମୂର୍ତ୍ତି ମୁହିଁ ପର୍ଶୁରାମ

ମୁହିଁ ଏକା ରଘୁନାଥ ମୁହିଁ କୃଷ୍ଣ ବ୍ରହ୍ମ ।

ଏକ ବଉଦ୍ଧ ରୂପରେ ମୁଁ ହୁଏ ପ୍ରକାଶ

କଳକୀରୂପ ଧରିଣ କରେ ଦୁଷ୍ଟ ନାଶ ।

ମୁହିଁ ଆସିଣ ଏ କୃଷ୍ଣବଲ୍ଲଭର ଘରେ

ନୃସିଂହ ନାମ ଧରିଣ ଜାତ ବଦ୍ରିକାରେ ।

ମୁହିଁ ଶାକଲ୍ୟ ଦ୍ଵୀପରେ ଥିଲି ଏକା ରହି

ପଲ୍ୟଙ୍କରେ ଥିଲି ଶୋଇ ବାଳ ରୂପ ହୋଇ

ତୁମ୍ଭେ ପରା ମୃର ଦୈତ୍ୟ ସଙ୍ଗେ ଯାଇଥିଲା

ସମସ୍ତ ଅସୁର ଯାଇ ଖଟକୁ ଟେକିଲ ।

ସେ କଥା ଏବେ ପାଶୋରି ପକାଇଲ ଦୈତ୍ୟ

ମରିବାପାଇଁ ଆସିଛ ଏବେ ମୋର ହସ୍ତେ ।

ଆବର କଥାଏ ମୋର ଶୁଣରେ କାଙ୍କୋଳା

ମାଇଲୁ ସତରଲକ୍ଷ ମୃରାସୁର ବଳା

ନବଲକ୍ଷ ନାତିକି ତା ଧରି ଏକାବେଳେ

ଗରୁଡ଼ ହାତେ ମରାଇ ଫିଙ୍ଗିଲୁ ସାଗରେ

ସେଠାରୁ ଚଳି ଆସିଲୁ ଆମ୍ଭେ ବଦରିକା

ଦେଖ ଏତେ ହରିଗୁଣ ଅଟୁ ଆମ୍ଭେ ଏକା ।

ଶଙ୍ଖ ଚକ୍ର ଗଦା ପଦ୍ମ ସମସ୍ତଙ୍କ କରେ

ଆଜ ତୋତେ ମାରି ପେଷି ଦେବୁ ଯମପୁରେ ।

ଶୁଣିଣ କାଙ୍କୋଳ କୋପେ ଉଠିଲା ଗର୍ଜିଣ

ସୈନ୍ୟଙ୍କୁ ବୋଇଲା ମାର ଏ ନୃସିଂହଗଣ

ଶୁଣି ଅସୁରେ ଧାଇଁଲେ ମନେ କୋପ ବହି

ବେଢ଼ିଲେ ଗରୁଡ଼କୁ କାଙ୍କୋଳ କୋପ ବହି ।

ମଧୁର ଭାଣ୍ଡକୁ ଯେହ୍ନେ ମାଛି ବେଢିଯାନ୍ତି

ସେହିରୂପେ ଚାରିଆଡେ ଅସୁରେ ବେଢନ୍ତି।

ଶାରଙ୍ଗ କୌମାଦୀ ଗଦା ପରଶୁ କୁଠାର

ଶଙ୍ଖଚକ୍ର ଗଦା ପଦ୍ମ ଚାରିହସ୍ତେ ଧରି

ଦୈତ୍ୟଙ୍କ ଆଗରେ ଦେଖା ଦେଲେ ବିଜେ କରି।

ଧଇଲେକ ଶେଷଦେବ ବାବଲ ଯେ ଶର

ସପ୍ତଫଣା କାଢ଼ି କରୁଛନ୍ତି ଫୁଫୁକାର ।

ନୃସିଂହ ବେନିଭାଇଙ୍କି କାଙ୍କୋଳା ଯେ ଦେଖି

ସୈନ୍ୟମାନଙ୍କୁ ବୋଇଲା ବିନ୍ଧ ଶର ଯୋଖି ।

ଶୁଣିଣ ଦୈତ୍ୟ ସକଳ କଲେ ଶର ବୃଷ୍ଟି

ଶକତି ଗଦା ପିଟିଲେ ଆଣି କୋଟି କୋଟି ।

ଖଡ଼ଗ ମୁଦଗର କାତି ଯଷ୍ଟି ଏକମୁନା

ଛକଡ଼ା କୁନ୍ତ ଭୂଷଣ ଖୁର୍ପି ଫରକିନା ।

ଶାବେଳୀ ପରିଘ ପର୍ଶୁ ପାଶୀ ପରି ଛେଳି

ଦୁଆଡ଼ ଗୁରୁଜ କୁନ୍ତମୁନ ଚକ୍ର ଭାଲି ।

ବିନ୍ଧିଲେ ଦୈତ୍ୟ କକଡ଼ା ମାସ ବୃଷ୍ଟିପ୍ରାୟେ

ପଡ଼ଇ ଶର ନୃସିଂହଗଣଙ୍କର କାୟେ ।

ଗରୁଡ଼ ବିଷ୍ଣୁ ଅଛନ୍ତି ଯହିଁ ବିଜେ କରି

ଅସୁର ତହିଁ କରିବେ କିସ ଶର ମାରି ।

ଶ୍ରୀନୃସିଂହ ଶେଷଦେବ ଅଛନ୍ତି ଯେ ରହି

ଅସୁର ଲକ୍ଷେ ଥାଇଣ କି କରିବ ତହିଁ ।

ଅସୁର ଯୁଦ୍ଧ କରନ୍ତେ ବିନ୍ଧି ତୀକ୍ଷ୍‌ଣ ବାଣ।

କହିଲେ ନୃସିଂହଗଣେ ଠାରି ନାରାୟଣ ।

ବୋଇଲେ ପଛୁ ଦଇତ୍ୟଗଣ ମାରି ଆସ।

ଚକ୍ଷୁ ପିଛଡ଼ାକେ ଯାଅ ହୋଇଣ ଅଦୃଶ୍ୟ ।

ଶୁଣିଣ ଧାଇଁଲେ ହରିଗଣ ଶସ୍ତ୍ର ଧରି ।

ବଜ୍ର ପଡ଼ିଲା ପରାୟ ଆସିଲେ ସେ ମାଡ଼ି ।

ଏହି ସମୟକୁ ଏକା ଚନ୍ଦ୍ର ସୂର୍ଯ୍ୟ ସାକ୍ଷୀ ।

ହସନ୍ତି ନୃସିଂହଗଣ ଓଲଟାକୁ ଦେଖି ।

ଆଗରେ ଶର ବିନ୍ଧନ୍ତେ ସବୁଙ୍କୁ ଯେ ଜିଣା।

ପଛରୁ ମାରିବା ଶର ହୁଏ କି କଳନା

ପ୍ରଥମୁଁ ହସ୍ତ ଟେକିଣ ନ ମାରନ୍ତି ହରି।

ଯେ ଆଗେ ମାରେ ତାହାକୁ ନାରାଚ ପ୍ରହାରି ।

ଆଗେ ଯେ ମାରେ ତାହାର ଧର୍ମ ହୋଏହାନି ।

ନ ପାରେ କେଭେ ଜିତି ସେ ବଡ଼ପଣ ଘେନି ।

ପ୍ରଭୁ ମାରିବାକୁ ଆଗ ନ ଟେକନ୍ତେ ହାତ।

ମରନ୍ତି ତେଣୁ ଦଇତ୍ୟ ହୋଇ ଅରକ୍ଷିତ ।

ଦେଖାଶୁଣା ନାହିଁ ଯେ ଏ ରୂପେ ଯୁଦ୍ଧ କାହିଁ।

ଭାଜିଲେ ଦଇତ୍ୟ ଦୁଇଆଡ଼ୁ ଭୟ ପାଇ ।

କାଙ୍କୋଳସୁରର ଯୁଦ୍ଧ ଓ ମୃତ୍ୟୁ

ସୈନ୍ୟଙ୍କୁ ସାଜିବା ଦେଖି କାଙ୍କୋଳା ଦଇତ

ନୃସିଂହ ପାଶେ ପ୍ରବେଶ କଲା ଦିବ୍ୟ ରଥ ।

ଆବର ଯେ ଶରଜିତ ଦୈତ୍ୟ ଚନ୍ଦ୍ରମାଳି

କାଙ୍କୋଳା ସଙ୍ଗେ ନୃସିଂହ ଆଗେ ଯାଇ ମିଳି ।

ତାହାଙ୍କୁ ଦେଖି ଭରସା ପାଇ ଦୈତ୍ୟ ଉଠି

ବିନ୍ଧିଲା ସେ ଶରମାନ ଆଣି କୋଟି କୋଟି ।

ଖଡ଼ଗ ଗଦା ଚକ୍ର ଧରି ଶ୍ରୀନୃସିଂହଗଣେ

ପିଟିଲେ ଦୈତ୍ୟ ସୈନ୍ୟଙ୍କ ମୁଣ୍ଡେ ଘୋରରଣେ।

ପଡ଼ିଲେ ଅସୁର ମଡ଼ାମାନ କୋଟି କୋଟି

ବହିଲା ରକତ ନଦୀ ବସୁଧାର ପିଠି ।

ଧାମନ୍ତି ଶୂନ୍ୟେ ଗମନ କରି ହରିଗଣ

ଶ୍ୟାମଳ ଝାମ୍ପ ମାରଇ ଯେହ୍ନେ ବକମାନ ।

ଶ୍ରୀନୃସିଂହଗଣ ଜାଣ ସେ ପ୍ରକାର ରଣେ

ଯେହ୍ନେ ଚାହିଁଲେ ଦିଶନ୍ତି ତେଣେ ହରିଗଣେ ।

ଏ ରୂପେ ମାରୁ ଦଇତ୍ୟ ହେଲେ ଅବଶେଷ

ଭାସିଲେ ରୁଧିରସ୍ରୋତେ ପଡ଼ି ଗଜ ଅଶ୍ଵ ।

ଏ ରୂପେ ମାରନ୍ତେ ଅପ୍ରମେୟ ଦୈତ୍ୟଗଣ

ପଡ଼ିଲା ମଡ଼ା ଚଉଦ ଯୁଣଯାଏ ରଣେ ।

ସୈନ୍ୟମରୁଡ଼ି ଦେଖିଣ କାଙ୍କୋଳା ଯେ ଡୋକେ

ନୃସିଂହ ପ୍ରଭୁଙ୍କୁ ଚାହିଁ ବୋଲେ କୋପବାକ୍ୟେ ।

ବୋଇଲା ଶୁଣରେ କୃଷ୍ଣବଲ୍ଲଭର ବତ୍ସେ

କେଡ଼େ ଅବିଶ୍ଵାସୀ ହେଲ ଜନ୍ମି ତୁମ୍ଭେ ମଞ୍ଚେ ।

ତୁମ୍ଭର ନାମ ପଡ଼ିଲା ଯହୁଁ ସବୁଠାରେ

କୁବିଦ୍ୟା ଲୋଚାଏ ଶିକ୍ଷାକଲ ବ୍ରହ୍ମାପୁରେ ।

ସୁବିଦ୍ୟା ହୋଇ ତୁମ୍ଭର ହୃଦେ ନାହିଁ ପଦେ

ମାରୁଅଛ ପ୍ରାଣୀ ଯାକୁ ଲାଗି ଅପ୍ରମାଦେ ।

ଏ ପାପ ବୁଦ୍ଧି ତୁମ୍ଭ ନ ଜାଣି ମୃରାସୁର

ଗୁରୁ କରିଣ ରଖିଲା ନେଇ ଘରେ ତାର ।

ତୁମ୍ଭର ଏ ଗୁଣ ସେହି ଥାନ୍ତା ଯେବେ ଜାଣି

ପୁତ୍ରଙ୍କୁ ବ୍ୟର୍ଥେ କିମ୍ପାଇଁ ମାରନ୍ତା ନୃମଣି ।

ଶିଷ୍ୟ ଲୁଚାକୁ ଆସିଲ ତୁମ୍ଭେ ପରା ମାରି

କି ରୂପେ ତୁମ୍ଭଙ୍କୁ ସେହିଅଛି ବସୁନ୍ଧରୀ ।

ନ କଲ ତ ଟିକେ ତୁମ୍ଭେ ହୃଦେ ହେଲେ ଦୟା

କି ରୂପେ ଏ କର୍ମକଲ ଆରେ କୁଳକ୍ଷୟା ।

ବିନା କାରଣରେ ରାଜପୁତ୍ରଙ୍କୁ ମାଇଲ

ବାଳକହତ୍ୟା କରିଣ ପଳାଇ ଆସିଲ ।

ଏଡ଼େହେଁ ପାପୀଙ୍କି ଧର୍ମ ସହିଛି କେମନ୍ତେ

ତେଣୁ ଆସିକରି ପଡ଼ିଗଲ ମୋର ହାତେ ।

ମରେ କି ମୂଷିକ କେବେ ବହୁଲୋକେ ପଡ଼ି

ମଣ୍ଡୁକୀ ବଞ୍ଚେ କି କାହିଁ ସର୍ପ ଦେଲେ ଧାଡ଼ି ।

କୁହୁଡ଼ି ରହଇ କିରେ ଉଦେ ହେଲେ ସୂର୍ଯ୍ୟ

ସେହି ରୂପେ ନାଶ ତୁମ୍ଭେ ହେବରେ ନିର୍ଲ୍ଲଜ ।

ମୁଁ ଅଟେ କାଙ୍କୋଳାସୁର ମୁର ସେନାପତି

ମୋତେ ତ ଦେଖିଣ ଲୁଚିଥିଲ ବଳାରାତି

ମୁରଦୈତ୍ୟ ଲାଗି ଜିଣିଅଛି ତିନିପୁର

ଦେଖିଲେ ମୋତେ ପଳାନ୍ତି ଡରି ବ୍ରହ୍ମାବର ।

ଜାଣୁ ଜାଣୁ ତୁମ୍ଭେ ଆସି ପଡ଼ିଲ ମୋ ହାତେ

କାଳମୁଖୁ ବଞ୍ଚି ଏବେ ଯିବରେ କେମନ୍ତେ ।

ଏ ରୂପେ ବୋଲିଣ ଧନୁ ଧରନ୍ତେ ଅସୁର

ହସନ୍ତି କାଙ୍କୋଳା କଥା ଶୁଣି ଚକ୍ରଧର ।

ନୃସିଂହ ବୋଇଲେ ଯେତେ କହିଲୁ ତୁ ବାଣୀ

ଭାଗ୍ୟଥିଲା ଯାକେ ସୁଖ ଭୁଞ୍ଜୁଥାଇ ପ୍ରାଣୀ ।

ଭାଗ୍ୟ ସରିଲେଟି ଜାଣ କନ୍ଧୁ ଖସେ ଶିରୀ

ଯାବତ କ୍ଲେଶ ତାହାକୁ ଘୋଟେ ଆସି କରି ।

ଭାଗ୍ୟଥିଲେ ଯାକେ ଭୋଗ କରିଥିଲ ସୁଖେ

ଭାଗ୍ୟ ଶେଷବେଳକୁ ରେ ମିଳିଲ ମୋ ପାଖେ।

ଲୋଡ଼ିଲେ ଆଉ ସେ ପୂର୍ବକଥା ପାଇବ କି।

ତୁମ୍ଭଙ୍କୁ ମାରିବୁ କହୁଅଛୁ ଡାକି ହାକି

ଲୋଡ଼ିଲେ ଯେ ଆଉ ପୂର୍ବ କଥା ପାଇବକି ।

ତୁମ୍ଭର ପାଇଁ ଆମ୍ଭର ଏହି ଅବତାର

ଦୈତ୍ୟଙ୍କୁ ମାରିଣ ଯିବୁ ବଇକୁଣ୍ଠପୁର ।

ତୁ ଯେତେକ କହୁ ଆସି କରି ଗାଲୁ ମେଲି

ବୁଝିଲେ ପ୍ରାଣ ତୋ ଥିବ ନାହିଁ ଆଉ କାଲି ।

ପୁଣି ହିଁ ବୋଲି ଜାଣିଛୁ ମୁଁ ଯେ ତିନିପୁର

ମୋତେ ଦେଖିଲ ଲୁଚଇ ଡ଼ରି ପୁରନ୍ଦର ।

ସେ ବଡ଼ ପଣ ତୋହର ଜାଣିଛୁ ଯେ ଆମ୍ଭେ

କେତେ ବଡ଼ାଇ କହୁଛୁ ଆସି ଆମ୍ଭ ଆଗେ ।

ତୁମ୍ଭର ରାଜା ଯେ ମୁର ବୋଲେ ବିଷ୍ଣୁ ନାହିଁ

ମୁହିଁ ଏକା ବିଷ୍ଣୁ ଅଟେ ବୋଲି କହ ଯାଇ ।

ମୁଁ ଏକା ଆସିଲି ତାର ପୁତ୍ରଯାକ ମାରି

ତୋତେ ମାରିଣ ପେଷିବି ଏବେ ଯମପୁରୀ ।

ତୋହଲାଗି ଦେବେ ହେଳେ ପାଉଛନ୍ତି କଷ୍ଟ

ଏବେ ଧାତା ମୋତେ ତୋତେ କରାଇଛି ଭେଟ।

ଶୁଣିଣ କମ୍ପି ଉଠିଲା କାଙ୍କୋଳାର କାୟ

ବିନ୍ଧିଲା ଧନୁରେ ଶର ଯୋଚି ଅପ୍ରମେୟ ।

କୋଟିଏ ଶର ପେଷିଛି କରି ତୀକ୍ଷ୍‌ଣମୁନ

ବେନିଲକ୍ଷ ପେଷିଦେଲା ପୁଣ ଯାତୁଧାନ ।

କତୁରୀ ବାଣ ପେଷିଲା ପୁଣ ଲକ୍ଷେଯାଏ

ଆକାଶଯାକ ପୁରିଣ ଦିଶେ ଶରମୟେ ।

କ୍ଷେପିଣ ଆସନ୍ତେ ଚାରିଦିଗେ ଶରମାନ

ହାବୋଡ଼ାଶର ଛେଦିଲେ ତାହା ଭଗବାନ ।

ଭାଜିଣ ସେ ଶରମାନ ହେଲେ ଖଣ୍ଡ ଖଣ୍ଡ

ଦେଖିଣ କାଙ୍କୋଳାସୁର ଗର୍ଜଇ ପ୍ରଚଣ୍ଡ ।

ପୁଣି ଦଶଲକ୍ଷ ପେଷିଦେଲା ଅହିଶର

ଗରୁଡ଼କି ଦେଖି ସର୍ପେ ପଶିଲେ ବିବର ।

ପୁଣି ଅଧାଚନ୍ଦ୍ର ବାଣେ ମାରେ ଲକ୍ଷ ଚାରି

କତୁରୀ ବାଣକୁ ପେଷି ଛେଦିଲେ ଶ୍ରୀହରି ।

କାଙ୍କୋଳା ବୋଇଲା ଶୁଣ ଭଗବତୀ ବତ୍ସ।

ସବୁ ଶର ତୋତେ ଆଜି କରୁଛି ପରୀକ୍ଷା ।

ତୁହି ମଲେ ଆମ୍ଭେ ରାଜା ସୁଖେ ଥିବ ରହି

ପଡ଼ୁଛୁ ମୋର ଆଗେ ଯିବୁ ଆଜି କାହିଁ ।

ନୃସିଂହ ବୋଇଲେ ଶୁଣ ଆରେ ନିଲକ୍ଷଣ

ଏହି ଶସ୍ତ୍ର ପେଶି ମୋତେ କି ଜିଣିବୁ ଜାଣ ।

ଦିଗବିଜେ କରି ତୁମ୍ଭେ ଗଲ ଯେଉଁକାଳେ

ଶାକଲ୍ୟଦ୍ଵୀପକୁ ବୋଲି ଗଲ ରେ ଚଣ୍ଡାଳେ ।

ସୁଦର୍ଶନ ଚକ୍ର ଥିଲା ଦୁଆରେ ମୋହର

ଲକ୍ଷେ କୋଟି ଦୈତ୍ୟ ଯୁଝି କି କଲରେ ତାର ।

କେତେ ହେଁ ନାରାଚ ଆଣି ପିଟିଲ ତା ଦେହେ

ନ ପାରିଲ ଲୋମ ବଙ୍କା କରି ତା କେବେ ହେଁ ।

ଧର୍ମକୁ ଚାହିଁ ଆମ୍ଭେ ଯେ ପାଞ୍ଚିଣ ମନକୁ

ରଖିଥିଲୁ ଆଜଯାଏ ଭାବ ବୁଝିବାକୁ ।

ଆମ୍ଭେ ପୁଣି ସେ କାଳରେ ବାଳକ ରୂପରେ

ନିଦ୍ରାରେ ଶୋଇଣ ଥିଲୁ ପଲ୍ୟଙ୍କ ଉପରେ ।

ଆସିପୁଣି କେତେଦୈତ୍ୟ ଟେକିଲ ମୋ ଶଯ୍ୟା

ଘୁଞ୍ଚାଇ ନ ପାରି ପୁଣି ପାଇଲ ଯେ ଲଜ୍ଜା ।

ଗୁହାରି କଲ ପରାରେ ମୁର ଦୈତ୍ୟ ଆଗେ

ସେହି ମଧ୍ୟ ପାରନ୍ତାକି ଟେକି କୋଟି ଯୁଗେ ।

ତା ଭାବ ବୁଝିବା ପାଇଁ ଉଶ୍ଵାସ ଯେ ଦେଲୁଁ

ବହି ଘେନିଯାନ୍ତେ ପୁଣି ମାଡ଼ିଣ ବସିଲୁ ।

ସହି ନ ପାରି ସେ ଭାରା ଛେଚିଲାକ ଧରି

ପାଷାଣେ ପଡ଼ନ୍ତେ ଗୁଣ୍ଡା ହେଲା ବସୁନ୍ଧରୀ ।

ତହିଁରେ ପଡ଼ି ମୋର କି ଲୋମ ହେଲା ବଙ୍କା

ଆସିଅଛୁ ଏଠାକୁ ଯେ ମାରିବାକୁ ଏକା ।

ଛେଚନ୍ତେ ପଳାଇ ମୁହିଁ ଆସନ୍ତେ ପୁରକୁ

ସଙ୍ଗେ ସଙ୍ଗେ ଧାଇଁ ଆସି ମୋର ନବରକୁ ।

ଖୋଜିଣ ନ ପାଇ ମୋତେ ପୋଡ଼ି ଦେଲେ ପୁର ଲୋମଟିଏ ବଙ୍କା କରି ପାରିଲ କି ମୋର।

ଜାଣୁ ଜାଣୁ ଆମ୍ଭ ତୁଲେ କର ଆସି ଯୁଦ୍ଧ

ଏକା ଚକ୍ରକୁ ମୋ କରି ପାରିବକି ସାଧ୍ୟ ।

ଆସିଛୁ ତୁ ପରା ମୋତେ ମାରିବାର ପାଇଁ

ଫିଟିଲେ ଆମ୍ଭର ବାକ୍ୟ ମରନ୍ତୁ ଯେ ତୁହି ।

କେବଳ ଦେଖିବାପାଇଁ କଉତୁକ ତୋର

ଦଣ୍ଡେ ଆଉ ତୋତେ ମାତ୍ର କରିଛୁ ଅମର ।

ବିନ୍ଧ ଏବ ବାଣ ତୋର ଆଣିଛୁ ଯେତେକ

ତାହା ଶୁଣି କାଙ୍କୋଳାର କମ୍ପେ ଦେହଯାକ ।

ପ୍ରଜ୍ଵଳିତ ହୋଏ ପୁଣି ଘୋଟେ ଯେହ୍ନେ କାଳ

ମାରିବା କଥାକୁ ସେହି ଧରିଛି କେବଳ

ନୃସିଂହ ବାକ୍ୟ ଶୁଣି ନ ଶୁଣେ ଦୈତ୍ୟ କିଛି

ବେଳକୁ ବେଳ ଧନୁରେ ବିନ୍ଧେ ଶର ଯୋଚି ।

ଗରୁଡ଼ ଉପରେ ପଡ଼ି ବାଜି ହୋଏ ଧୂଳି

ଯାହାର ପିଠିରେ ବସିଛନ୍ତି ବନମାଳୀ ।

ସବୁ ଶର ବିନ୍ଧି ଦୈତ୍ୟ ହୋଇଲା ନିଶସ୍ତ୍ର

ରଥରୁ ସୂର୍ଯ୍ୟଙ୍କୁ ଝିଙ୍କି ବିନ୍ଧିଲା ଯେ ଅସ୍ତ୍ର ।

ଦୈତ୍ୟ ମନ୍ତ୍ରବଳୁ ଚଳିଗଲେ ସଂଜ୍ଞାକାନ୍ତ

ଶ୍ରୀନୃସିଂହ ପାଦେ ନମି ହୋଇଲେ ଉଦିତ ।

ତାହା ଦେଖିଣ କାଙ୍କୋଳା ହୋଏ ଚମତ୍କାର

ଶ୍ରୀନୃସିଂହ ଆଜ୍ଞା କଲେ ଶୁଣରେ ଅସୁର ।

ରହିବ ତୋହର ପରା ରଥି ହୋଇ ତୁନି

ତୁନି ହୋଇ ରହିଲେ ନ ଯିବୁ ସଂଜୀବନୀ ।

ଇନ୍ଦ୍ରକୁ ଯେ ବନ୍ଦୀ କଲା ପ୍ରାୟ ନୋହେ ଆଜ

ମୃତ୍ୟୁକୁ ଯେ ତରିବାକୁ କର ଏବେ କାର୍ଯ୍ୟ ।

ମୁରସଙ୍ଗେ ବୁଲିଯିବା କଥା ନୋହେ ଏହୁ

ମୋତେ ଜିଣି ପାରିଲେଟି ହେବୁ ରଣରାହୁ ।

ଘରକୁ ଯିବାର କଥା ଛାଡ଼ ଏବେ ଆଶ

ଯମତ ପୋଛି ଦେଲାଣି ତୋହର ଆୟୁଷ ।

କାଙ୍କୋଳା ବୋଇଲା ତେବେ ଶୁଣ ନାରାୟଣ

ତୋ କଥା ଶୁଣି ହସୁଛି ମୋର ଆତ୍ମା ଜାଣ

ବ୍ରାହ୍ମଣ କୁଳେ ଜନ୍ମିଛି ତୁମ୍ଭେ ସିନା ଆସି

କ୍ଷତ୍ରୀକୁଳେ ଜନ୍ମିଥିଲେ ଥାଆନ୍ତି ମୁଁ ତ୍ରାସି ।

ସନ୍ଧ୍ୟା ତରପଣ ପୂଜା ବୈଶ୍ଵଦେବ କର

ନାସାରେ ହସ୍ତ ଦେଇଣ ଗାୟତ୍ରୀ ସୁମର ।

ମାତ୍ର ଏଥିରେ ତୁମ୍ଭର ବଡ଼ପଣ ଅଛି

ଯୁଦ୍ଧକୁ ସମାନ ତୁମ୍ଭେ ନୁହ ବିପ୍ରବତ୍ସି ।

ଏଣୁ କରି ତୁମ୍ଭଙ୍କୁ ନ ଥାଇ ଆମ୍ଭ ଡର

ଏହା ଶୁଣି ହରି ପୁଣି ଦେଲେକ ଉତ୍ତର ।

ନୃସିଂହ ବୋଇଲେ ଆରେ କାଙ୍କୋଳାତୁ ଶୁଣ

ଆଦି କ୍ଷତ୍ରୀ ପର୍ଶୁରାମ ନୁହନ୍ତି କି ଜାଣ ।

ବିପ୍ରକୁଳେ ପର୍ଶୁରାମ ନ ଥିଲେ କି ଜନ୍ମି

ଦୁଷ୍ଟନାଶେ ଏକୋଇଶ ଥର ପୃଥ୍ଵୀ ଭ୍ରମି ।

ବ୍ରାହ୍ମଣ ଗୋସାଇଁ ଏଥୁ ହୁଅନ୍ତି ଯେ ସାନ

ତୁ ହାଡ଼ିଜାତି ଚିହ୍ନିବୁ କାହୁଁ ପୁଣ୍ୟଜନ ।

ସଂସାରେ ତ ପୁଣ୍ୟଜନ ଅସୁରଙ୍କୁ କହି

ଅସୁର ବିପ୍ରଙ୍କୁ ଏଣୁକରି ନ ମାନଇ ।

ନୃସିଂହ କହିବା କଥା ଶୁଣିଣ ଦଇତ

ବିନ୍ଧିଲା ଧନୁରେ ଶର ଯୋଚି ଅପ୍ରମିତ ।

ଆଖି ପିଛଡ଼ାକେ ବିନ୍ଧେ ଲକ୍ଷ ଲକ୍ଷ ଶର

ତାହା ଦେଖି ଖଗ ଆଦି ଦେଲା ଖଗେଶ୍ଵର ।

ନାରାଚମାନ ପଡ଼ିଣ ହୋନ୍ତି ଚୂର୍ଣ୍ଣଗତି

ହସିଣ ଯେ ଖଗେଶ୍ଵର ବାକ୍ୟ ପ୍ରକାଶନ୍ତି ।

ବୋଲନ୍ତିରେ ଶୁଣ ତୋତେ କହିବା କାଙ୍କୋଳା

ଲୋଡ଼ିଛୁ ଅମୃତପାନ ଛାଡ଼ି ମୃତ୍ୟୁଭେଳା ।

ଚାହିଁ ପୁଣି ଆଙ୍ଗୁଳିରେ ଖୋଳୁଛୁ ତୋ ଆଖି

ହେଉଛୁ ତୁ ବିଷ୍ଣୁ ଦ୍ରୋହୀ ଅରିକୁଳ ରଖି ।

ପିତା ଛାଡ଼ି ପିଉସାର ପାଦତଳେ ନମୁ

ବୟସ ଗର୍ବରେ ଯମରାଜାରୁ ତୁ ତମୁ ।

ଅପମୃତ୍ୟୁରେ ଯେବଣ ଯମ ପାରେ ମରି

ତାହା ନ ପାଞ୍ଚି ନୃସିଂହେ ହେଉଛୁ ବଇରୀ ।

ସୂର୍ଯ୍ୟଙ୍କ ଗଳାରେ ବାନ୍ଧି ଝିଙ୍କୁଛୁ ଦଉଡ଼ି

ଶୂନ୍ୟକୁ ମାପୁଛୁ ଭୂମିପରେ ଶୋଇପଡ଼ି ।

ସମୁଦ୍ର ସଙ୍ଗେ ସରିକି ହେବ କ୍ଷୁଦ୍ର ନଦୀ

ଚନ୍ଦ୍ରତୁଲେ ସରି ହେବ କି ନକ୍ଷତ୍ର ଆଦି ।

ପତିଙ୍କ ତୁଲେ ସରି କି ହେବ ମୃତପ୍ରାଣୀ

ପତିବ୍ରତାର ସଙ୍ଗେ କି ତୁଲ୍ୟ ଦୋଚାରୁଣୀ ।

ସୁପଣ୍ଡିତ ସଭା ମଧ୍ୟେ ମୂର୍ଖ ଯେବେ ବସେ

ହଂସ ସଭା ମଧ୍ୟେ ବକ ପରାୟେକ ଦିଶେ ।

ସଞ୍ଚାଣ ପକ୍ଷୀ ପ୍ରାୟ କି ଆନ ପକ୍ଷୀ ହୋଇ

ବଢ଼ିଜଳ ବାନ୍ଧିଣ କେ ପାରିବ କି ଥୋଇ ।

ଶ୍ରୀଗୁରୁ ସଙ୍ଗେ ସରି କି ହେବ ଶିଷ୍ୟପୁତ୍ର

ବ୍ରାହ୍ମଣ ସଙ୍ଗେ ସରି କି ହେବ ଶୂଦ୍ର ମାତ୍ର ।

ରାଜାଙ୍କ ସଙ୍ଗେ ପ୍ରଜାଏ ସରି କି ହୋଇବ

ଶୂଦ୍ରମୁଖେ ପଢ଼ିବେଦ କେବେ କି ବର୍ତ୍ତିବ ।

ପିତା ମାତା ସଙ୍ଗେ ସରି ହେବ କି ମଉଷା

କ୍ଷୀରପାନ ଦେଇ ପ୍ରାଣ କରନ୍ତି ଯେ ପୋଷା ।

ଗୃହସ୍ଥର ସଙ୍ଗେ ସରି ହେବ କି ଭାରିଯା

ଏ କଥା ନ ଚିହ୍ନି ମରୁଅଛୁ କରି କର୍ଯ୍ୟା ।

ଶ୍ରୀବିଷ୍ଣୁଙ୍କ ସଙ୍ଗେ ସରି ହେବ କି ମନୁଷ୍ୟ

ଏ ମାର୍ଗମାନ ବୁଝି ତୁ ନ ପାରୁ ରାକ୍ଷସ ।

ବାତୁଳ ପ୍ରାୟେ ଆସି ତୁ ଯୁଦ୍ଧେ ହେଲୁ ଠିଆ

ଅଗ୍ନିରେ ପଡ଼ିଣ କେହି ଧରିଅଛି କାୟା ।

ଜାଣୁ ଜାଣୁ ଆସିଣ ତୁ ଲୋଡ଼ୁ ଅଗ୍ନିକୁଣ୍ଡ

ତୋତେ କି କହିବା ଛାର ଅସୁରରେ ମୂଢ଼ ।

ଗରୁଡ଼ଯତି କଥା ଯେ ନ ଶୁଣି କାଙ୍କୋଳା

କୋପେଣ ଶର ଯୋଚିଣ ବିନ୍ଧେ ଅନର୍ଗଳା ।

ଦେଖିଣ ସେ ଖଗେଶ୍ଵର ମଥା ଦେଲା ଆଡ଼ି

ବାଜିଣ ସେ ଶରମାନ ତଳେ ଗଲା ପଡ଼ି ।

ତାହା ଦେଖିଣ ନୃସିଂହେ ଗରୁଡ଼କୁ ଚାହିଁ

ଠାରି ଆଜ୍ଞା ଦେଲେ ଦୈତ୍ୟ ମାର ବେଗେ ଯାଇ ।

ଶୁଣିଣ ସେ ଖଗେଶ୍ଵର ଧରି ବିଷ୍ଣୁ ରୂପ

ମାଇଲା ସେ କାଙ୍କୋଳାର ସୈନ୍ୟ ଅନର୍ଯ୍ୟାପ ।

ଲକ୍ଷେ ଯୋଜନଯାଏ ସେ କାୟା ବିସ୍ତାରିଲା

ରାହୁର ପ୍ରାୟେ ଘୋଟି ସେ ଦୈତ୍ୟକୁ ଗ୍ରାସିଲା ।

ଶୁଣ ଆହେ ନାରଦ ସେ ଗରୁଡ଼ ଚରିତ

ଯେତେ ଆଜ୍ଞା ଦେଲେ ତତେ ହେଲେ ମୃତ୍ୟୁଗତ ।

କାହାକୁ ଚରଣ ମାରି କାହାକୁ ବିଦାରି

କାହାର ଅନ୍ତବୁଜୁଳି ଥଣ୍ଟେ ଦିଏ ଚିରି ।

କାହାକୁ ମାରଇ କାହା ମୁଣ୍ଡେ ଛେଚି ଗୋଡ଼େ

କାହାକୁ ଶୂନ୍ୟରେ ଟେକି ଭୂମିରେ କଚାଡ଼େ ।

ଥୋକାଏ ଡ଼େଣାପବନ ଘାତେ ଯାନ୍ତି ଉଡ଼ି

ଭୂମିରେ ପଡ଼ନ୍ତି ପୁଣି ଆସି ମୁଖ ମାଡ଼ି ।

କାହାକୁ ଘୋଷାଡ଼ି ନେଇ ଫୋପାଡ଼ି ସେ ଦିଏ

କାହାକୁ ମାରି ସମୁଦ୍ର ମଧ୍ୟେ ଫିଙ୍ଗି ଦିଏ ।

କାହାକୁ ବିନ୍ଧିଣ ମାରି କରେ ଖଣ୍ଡ ଶତ

ଏ ବିଧିରେ ତୋର ପଦ୍ମ ଦୈତ୍ୟ କଲା ହତ ।

ବହିଲା ରକତନଦୀ ସିନ୍ଧୁ ମୁଖେ ପୁଣି

ଶୁଣହେ ନାରଦ ଏହି ଗ୍ରନ୍ଥର ଯେ ବାଣୀ ।

ଶରଜିତ ବଜ୍ରମାଳୀ କାଙ୍କୋଳାକୁ ଛାଡ଼ି

ଆବର ସୈନ୍ୟ ମାଇଲା ଖୋଜିଲୋଡ଼ି ଲୋଡ଼ି ।

ଗରୁଡ଼ ବିଶ୍ଵରୂପକୁ ଦେହେ ସଂହାରିଲା

ନିଜେ ନୃସିଂହଙ୍କୁ ବହି ସମରେ ପଶିଲା ।

ଶଙ୍ଖଚକ୍ର ଗଦାପଦ୍ମ ଚାରିକରେ ସାଜେ

ଦେବଯାନ ଉପରେ ଶ୍ରୀ ଶେଷଦେବ ବିଜେ ।

ସୈନ୍ୟଯାକ ମରନ୍ତେ ତା କାଙ୍କୋଳ ଯେ ଦେଖି

ବିନ୍ଧିଲା ଲକ୍ଷେ ନାରାଚ ଉପ୍ରୋଧ ଉପେକ୍ଷି ।

ତା ଦେଖିଣ ତୀକ୍ଷ୍ଣଶର ପେଷିଲେ ନୃସିଂହ

ବାଜି ଦୈତ୍ୟଶର ସବୁ ହୋଇଗଲା ଭଙ୍ଗ ।

କତୁରୀଶର ପୁଣିହିଁ ଦୈତ୍ୟ କରେ ଧରି

ଶ୍ରୀନୃସିଂହ ଉପରକୁ ବିନ୍ଧେ କୋପ କରି ।

ଅନ୍ତରୀକ୍ଷେ ଯେ ନାରାଚ ଆସେ ମନ୍ତ୍ରବଳେ

ଗର୍ଜିଣ ଧାମଇଁ ଶର ଆକାଶ ମଣ୍ଡଳେ ।

ଶ୍ରାବଣ ମାସରେ ଯେହ୍ନେ ହୁଏ ଜଳବୃଷ୍ଟି

ତେସନେ ଅଟନ୍ତି ଶୂନ୍ୟମାର୍ଗେ ଶରଘୋଟି ।

ଦେଖିଣ ପେଶିଲେ ତୀକ୍ଷ୍‌ଣଶର ନାରାୟଣ

ବାଜିଣ ଭାଜିଲେ ଶରମାନେ ଛାଡ଼ି ରଣ ।

ସାତ ଲକ୍ଷ ନାରାଚ ସେ ପୁଣ କରେ ଧରି

ଶ୍ରୀ ନୃସିଂହ ଉପରକୁ ବିନ୍ଧେ କୋପ କରି

ଦେଖି ପ୍ରଭୁ ଶ୍ରୀ ନୃସିଂହ ମନ୍ତ୍ର ଦେଲେ ପଢ଼ି

ଫୁଙ୍କନ୍ତେ ସେ ଶରମାନ ଶୂନ୍ୟେଗଲେ ଉଡ଼ି ।

ପାତାଳ ପୁରକୁ ପଶିଗଲେ ଶରଯାକ

ଶ୍ରୀନୃସିଂହ ମନ୍ତ୍ର ପ୍ରଭା ଅଟେ କେଡ଼େ ଦେଖ ।

କାଙ୍କୋଳ ବୋଇଲା ତୁମ୍ଭେ ଅଟ କେଡ଼େ ମନ୍ଦ

ବିପ୍ରଜାତି ହେବାରୁ ତ ଜାଣ କୂଟଛନ୍ଦ ।

ପନ୍ନଗ ପରାୟ ତୁମ୍ଭ ସର୍ବଦା ପ୍ରକୃତି

ଯଜ୍ଞସୂତ୍ର ବହି ଭଜ ଗାୟତ୍ରୀଙ୍କୁ ନିତି ।

କାହାଣେ ବା ପଣେ ମାଣେ ମିଳେ ଯେଉଁ ଠାରେ

ସେଠାରେ ବସିଣ ବେଦ ପଢ଼ି ଉଚ୍ଚସ୍ଵରେ ।

ଆଶୀର୍ବାଦ କରି ଖାଅ ଲୋକଙ୍କୁ ସେ ଜଟି

ଆରମ୍ଭରେ ଚାଲ ଦାଣ୍ଡେ ଧରି କୁଶବଟି ।

ଗଡ଼ୁ ତମ୍ବା ପାତ୍ର ଧରି ଭଣ୍ଡି ସବୁ ଖାଅ

ତଳହସ୍ତେ ପାଣି ଧରି ଦାନ ଘେନୁଥାଅ ।

ସହସ୍ର ନାମକୁ ଗୁଣି ପର ମୂଲ ଲାଗ

ଦିନାର୍ଦ୍ଧରେ ପାଞ୍ଜି ଧରି କହ ସବୁ ଯୋଗ ।

ଅତି ପାପୀଲୋକ ଯାଇ ଜନ୍ମେ ତୁମ୍ଭ କୋଳେ

ଦାନ ଘେନିବାକୁ ଆସ ପୁଣି ତତକାଳେ ।

କହିଲେ ନ ସରେ ଜାଣ ବ୍ରାହ୍ମଣଙ୍କ ପୌଢ଼ୀ

ଯୁଦ୍ଧକୁ ଆସିଛ ପକ୍ଷୀ ଗୋଟିଏକ ଚଢ଼ି ।

ଶୁଣି ପ୍ରଭୁ ବୋଇଲେକି ଏହା ଯେବେ ହୋଇ

ବିପ୍ରଙ୍କ ପାଦ କାହିଁକି ତୁମ୍ଭେ ପିଅ ଧୋଇ ।

ବ୍ରାହ୍ମଣଙ୍କୁ ବରି ତୁମ୍ଭେ ଗୃହେ କିମ୍ପା ନିଅ

ବରକନ୍ୟା ବସି ବେଦୀପରେ ବିଭା ହୁଅ ।

ପଢ଼ନ୍ତି ତ ବିପ୍ର ବେଦ ବୋଲି ଯେବେ ଜାଣ

ସେ ବେଦ ମହିମା ତୋତେ କହିବାରେ ଶୁଣ ।

ଓଁ କାର ବେଦାଙ୍ଗ ବ୍ରହ୍ମା ଅଟେ ଆଠ ଅଙ୍ଗ

ଚରୁ ସ୍ଵାହା ତ୍ରୟସ୍ଥାନ ପଞ୍ଚଦେବା ମାର୍ଗ ।

ବ୍ରହ୍ମା ବିଷ୍ଣୁ ଶିବଟି ଓଁ କାର ରୂପ ମୂର୍ତ୍ତି

ସୁପଣ୍ଡିତ ଜନେ ଏକା ଓଁ କାର ଚିହ୍ନନ୍ତି

ତୁମ୍ଭର ଗୁରୁ ପରାରେ ଶୁକ୍ରମୁନି ଅଟେ

ତୁମ୍ଭ ରାଜା ଆଗେ ବେଦପଢ଼ି କେଡ଼େ ଶ୍ରେଷ୍ଠ ।

ତୁମ୍ଭେ ଅଲାଜୁକ ବୋଲି ବିପ୍ର ନିନ୍ଦାକର

ସେହି ବେଦମନ୍ତ୍ର ପଢ଼ି ହୁଅ କନ୍ୟାବର ।

କାହିଁକି ବିପ୍ରମାନଙ୍କୁ ବରି ହୁଅ ବିଭା

ଦୁର୍ବାକ୍ଷତ ବନ୍ଦାପନା କର କିମ୍ପା ନିର୍ଭା ।

କାହିଁକି ବିପ୍ରଙ୍କୁ ପଣେ ମାଣେ ଯାଚିଦିଅ

ରୋଗନାଶ ପାଇଁ ସସ୍ର ନାମକୁ ପଢ଼ାଅ ।

ଶୁଦ୍ଧ ହୋଇବ ବୋଲିଣ ଦଶକ୍ରିୟା କର

ଉତ୍ତର ଷୋଡ଼ଶ କର୍ମେ ବିପ୍ରେ ଆଗୋ ବର ।

ପିତୃଶ୍ରାଦ୍ଧ ନିମନ୍ତେ ଯେ ବିପ୍ର ଆଣ ବରି

ଉଦ୍ଧାର ପିତାମାତାଙ୍କୁ ପିଣ୍ଡଦାନ କରି ।

ତୁମ୍ଭର ଶୁକ୍ର ଗୁରୁଙ୍କୁ ପଚାର ରେ ଯାଇଁ

କାହିଁକି ସେ ପଢ଼େ ବେଦ ତୁମ୍ଭ ଗୃହେ ଥାଇ ।

ବୁଝିଲେ ତ ଶୁକ୍ରମୁନି ବିପ୍ର ନୁହନ୍ତି କି

ତାଙ୍କ ପାଦଧୂଳି ବୋଳି ହେଉଛ କାହିଁକି ।

ଜାଣୁ ଜାଣୁ ଆରେ ମୂର୍ଖ କିମ୍ପା ବିପ୍ର ନିନ୍ଦ

ପକ୍ଷୀଲାଗି ହୁଏ ମୋର ଅବତାର ମନ୍ଦ ।

ଆମ୍ଭେ ଅବତାର ହେଲେ ବହେ ସେ ଆମ୍ଭଙ୍କୁ

ବହିଥିବାରୁ ଯେ ଆମ୍ଭେ ମାରୁ ଯେ ଦୈତ୍ୟଙ୍କୁ ।

ବିନତାର ପୁତ୍ର ଅଟେ ସେ ଗରୁଡ଼ ଯତି

ଶ୍ରୀ ଲକ୍ଷ୍ମୀ ନୃସିଂହଙ୍କୁ ଯେ ବହୁଥାଇ ନିତି ।

ସେ ବହିବାର ବହୁଛୁ ଆମ୍ଭେ ନାସାପୁଟେ

ନିର୍ମଳ କରି ସମସ୍ତ ବୁଝ ସର୍ବ ଘଟେ ।

ଏଣୁ ସେ ବାହନ ମୋର ଅଟେ ମନ୍ତ୍ର ସ୍ୱାହା

ଜଳ ତୁଳସୀ ମନ୍ତ୍ରେ ନୈବେଦ୍ୟ କରି ଯାହା ।

ସେହି ସ୍ଵାହା ମନ୍ତ୍ର ଜାଣ ଗରୁଡ଼ ନୁହରି

ସବୁରି ହୃଦପଦ୍ମରେ ଛନ୍ତି ବିଜେ କରି ।

ବୋଲନ୍ତି ହୋମରେ ଘୃତ ଦେଇ ବିପ୍ର ସ୍ଵାହା

ସେ ହବିଷାନ୍ନ ନ ଭୁଞ୍ଜେ ଆମ୍ଭେ ଭୁଞ୍ଜୁ ତାହା ।

ପ୍ରାଣ ଅପାନ ବ୍ୟାନ ଯେ ଉଦାନ ସମାନ

ଏ ପଞ୍ଚପ୍ରାଣ ଆମ୍ଭେଟି ଅଟୁ ଆତ୍ମା ଜ୍ଞାନ ।

ଶ୍ରୀହରିର ଗରୁଡ଼ଟି ମୁରପୁତ୍ର ଯାକ

ମାରିଣ ଆଖଡ଼ା ଘରେ ଆସିଲା ବଦ୍ରିକା ।

ଏବେ ତୋର ତେରପଦ୍ମ ସୈନ୍ୟଯାକ ମାରି

ଆମ୍ଭଙ୍କୁ ସମରେ ଆସିଅଛି ବହିକରି ।

ଶୁଣିଣ କାଙ୍କୋଳାସୁର ମହାକୋପ କଲା

ଶ୍ରୀନୃସିଂହ କଥା ତୋର କର୍ଣ୍ଣେ ନ ପଶିଲା ।

ଧନୁରେ ଶର ଘେନିଣ ବିନ୍ଧେ ବେଗେ ଟାଣି

ତୀକ୍ଷ୍‌ଣଶର ପେଷି ଛେଦି ଦେଲେ ଚକ୍ରପାଣି ।

ପୁଣି ଅର୍ଦ୍ଧଚନ୍ଦ୍ରବାଣ ପେଷିଲା ଅସୁର

କର୍ଣ୍ଣମୂଳଯାଏ ଝିଙ୍କି ଆଣି ଧାତିକାର ।

ଏଥର ସମ୍ଭାଳ ବୋଲି ପେଷିନ୍ତେ ବହନ

ଛେଦିଲେ ହାବୋଡ଼ାଶରେ ତାହା ଭଗବାନ ।

କାଙ୍କୋଳା ଦେଖି ହୋଇଲା ମହାକୋପାନଳ

ଆକର୍ଷି ଲୁହାର ଧନୁ ଧରି କରତଳ ।

ଓଟାରି ଲକ୍ଷେକ ଶର ବିନ୍ଧେ ଗୁଣ ଟାକି

ଧନୁରେ ନ ଖସୁଁ ଛେଦିଦେଲେ ଚକ୍ରପାଣି ।

ପୁଣିହିଁ ଧଇଲା ବଜ୍ରଶର ଲକ୍ଷ ଚାରି

ଗୁଣରେ ବସାଇ ବିନ୍ଧି ଦେଲା କୋପକରି ।

ଲେଉଟି ଲକ୍ଷେକ ଶର ପାଖରେ ଯେ ଥିଲା

ବାବଲ ଆଦି ନାରାଚ କୋପେ ବୃଷ୍ଟି କଲା ।

ପେଷିଣ ଗୁଣ ଟଙ୍କାର କରି ରୋଷଭରେ

ଦିଶିଲା ଅନ୍ଧାରମୟ ସୃଷ୍ଟି ଦିବସରେ ।

ଗଗନେ ଆସନ୍ତେ ପକ୍ଷଗଣ ଯେହ୍ନେ ଉଡ଼ି

ଧାମନ୍ତେ କାଣ୍ଡ ଖଣ୍ଡାଏ କରି ଘୋଡ଼ ରଡି ।

ଦେଖିଣ ସେ ମହାପ୍ରଭୁ ପେଷି ତୀକ୍ଷ୍‌ଣ ଶର

ଛେଦିଲେ ନାରାଚ ଆସୁଁ ଆସୁଁ ଚକ୍ରଧର ।

ଉଠିଲାକ ହୁତାଶନ ଅଗ୍ନିଜ୍ଵାଳା ଜିଣି

ଛେଦିଲେ ନୟନ ପିଛାଡ଼ନ୍ତେ ଚକ୍ରପାଣି ।

ପୁଣି ହିଁ ଲକ୍ଷେକ ଶର କାଙ୍କୋଳା ଯେ ଧରି

ଫିଙ୍ଗିଲା ନୃସିଂହ ପରେ ମହାକୋପ କରି ।

ପକ୍ଷୀକୁ ବିନ୍ଧଇ ଲକ୍ଷେ ଶେଷଦେବେ ଲକ୍ଷେ

ତେରପଦ୍ମ ନୃସିଂହଙ୍କୁ ବିନ୍ଧେ ଲକ୍ଷେ ଲକ୍ଷେ ।

କଣ୍ଟାଲଗା ଶର ତୋର ସହସ୍ର ଯେ ସନ୍ଧି

ସୁଜାଣ ମନ୍ତ୍ରୀକୁ ପୁଣ ସସ୍ରେ ବାଣ ବିନ୍ଧି ।

ଆଉ ସୈନ୍ୟଙ୍କୁ ଜଣକେ କାଣ୍ଡେ କାଣ୍ଡେ ମାରି

ଧାମନ୍ତି ସେ ଶରମାନେ ଆାକଶ ଯେ ପୂରି ।

ଏତେ ନାରାଚ ଆସିବା ଦେଖି ଚକ୍ରପାଣି

ପଦେକ ଶର ବିନ୍ଧିଲେ ପ୍ରଭୁ ବେଗେ ଟାଣି ।

କାଙ୍କୋଳାଦୈତ୍ୟର ବାଣ ଆସୁ ଶୂନ୍ୟେ ଗର୍ଜି

ନୃସିଂହର ବାଣ ପଡ଼ି ମଧ୍ୟେ ଗଲେ ଭାଜି ।

କାଙ୍କୋଳା ବୋଇଲା ମୋର ଶର ଗଲା ବ୍ୟର୍ଥ

କି ରୂପେ ନାଶିଲା ଏତେ ବାଣ ଜଗନ୍ନାଥ ।

କରିବି ମୁଁ ଏବେ କିସ ବୋଲି ମନେ ପାଞ୍ଚେ

ରଥେ ଥାଇ ଡ଼ାକେ ଚନ୍ଦ୍ରମାଳୀକୁ ସେ ଉଚ୍ଚେ ।

ଶରଜିତକୁ ଘେନିଣ ବେଗେ ଧାଇଁଆସ

ମାରିବା ତିନିହେଁ ମିଶି ନୃସିଂହ ନରେଶ ।

ଏ ରୂପେ ଦୈତ୍ୟ ଡ଼ାକନ୍ତେ ଜାଣି ଭାବଗ୍ରାହୀ

ଦୈତ୍ୟ ନ ମିଶୁ ବିନ୍ଧିଲେ ଶର କୋପ ବହି ।

ପେଶିଣ କତୁରୀ ନାମେ ଶର ବ୍ରହ୍ମରାଶି

ରଥରେ ଚାରି ଅଶ୍ଵକୁ ପକାଇଲେ ଧ୍ଵଂସି ।

ପୁଣି ହିଁ ବାବଲ ଶର ପେଷିଲେକ ଟାଣି

ଅଶ୍ଵ ସାରଥିର ମୁଣ୍ଡ ପକାଇଲେ ହାଣି ।

ଅଶ୍ଵ ସାରଥିର ମୁଣ୍ଡ ପଡ଼ିଲା ଭୂମିରେ

ସେ ରଥକୁ ଛାଡ଼ି ଦୈତ୍ୟ ପଳାଏ ଶୂନ୍ୟରେ ।

ଅପର ରଥେ ବସିଲା ଯାଇ ବେଗେ ଉଠି

ଧନୁରେ ଯୋଚି ବିନ୍ଧିଲା ଶର କୋଟି କୋଟି ।

ନୃସିଂହ ତାହା ଦେଖିଣ ଅଗ୍ନିଶର କାଢ଼ି

ବିନ୍ଧିଲେ ସେ ଲକ୍ଷ୍ମୀକାନ୍ତ ମନ୍ତ୍ର ହୃଦେ ପଢ଼ି ।

ବୋଇଲେକ ବାଣଯାକ ବେଗେ ପୋଡ଼ିପକା

ଆବର ସେ ରଥ ପୋଡ଼ ଛାଡ଼ି ତାକୁ ଏକା ।

ଶୁଣି ଅଗ୍ନିଶର ଧାଇଁଗଲା ତଡ଼ ବଡ଼ି

ଦୈତ୍ୟର ସେ ଶରଯାକ ସବୁ ଦେଲା ପୋଡ଼ି ।

ପୁଣି ସେହି ଯାଇ ରଥ ପୋଡ଼ିଲା ତତ୍କାଳେ

ତାପ ପାଇ ଦୈତ୍ୟ ଡ଼େଇଁ ପଡ଼ିଲାକ ତଳେ ।

ଧାମଇଁ ସେ ପାଦଗାମୀ ହୋଇ ତର ତର

ହସ୍ତୀର କନ୍ଧରେ ଯାଇ ବସିଲା ତତ୍ପର ।

ସେ ହସ୍ତୀର ନାମ ପୁଣି ଅଟେ ପୁଷ୍ପଦନ୍ତ

ଗଜପରେ ବସିଲା ସେ ହସ୍ତେ ଧରି କୁନ୍ତ ।

ଶ୍ରୀନୃସିଂହ ସ୍ଵାମୀ ତାହ ଦେଖି ପଦ୍ମନେତ୍ର

ଧରି ବ୍ରହ୍ମଶର ପେଷି ଦେଲେ କ୍ଷଣମାତ୍ରେ ।

ପଡ଼ିଲା ସେ ବଜ୍ର ଯାଇ ହସ୍ତୀ କୁମ୍ଭ ସ୍ଥଳେ

ଦ୍ଵିଫାଳ ହୋଇ ପଡ଼ିଲା ମୁଣ୍ଡ ଯାଇଁ ତଳେ ।

ପୁଣି ହିଁ ପେଷିଣ ତୀକ୍ଷ୍‌ଣ ଶର ଚକ୍ରପାଣି

ମାହୁନ୍ତର ମୁଣ୍ଡ ଗୋଟି ପକାଇଲେ ହାଣି ।

ମାହୁନ୍ତ ଗଜର ପ୍ରାଣ ଗଲାକ୍ଷଣି ଛାଡ଼ି

ସାହାଣି ଅଶ୍ଵକୁ ଆଣି ଦେଲା ତଡ଼ବଡ଼ି ।

ଅଶ୍ଵବାଗ ଧରି ବେଗେ କାଙ୍କୋଳା ଚଢ଼ଇ

ମନେ ସାହସ ବାନ୍ଧିଲା ତହୁଁ ଦମ୍ଭ ହୋଇ ।

ନୃସିଂହ ଦେଖିଣ ତାହା ଧରି ତୀକ୍ଷ୍‌ଣ ଶର

ଗୁଣରେ ଯୋଚି ବୋଇଲେ ଅଶ୍ଵବେଗେ ମାର ।

ଆଜ୍ଞା ପ୍ରମାଣେ ସେ ଶର ଗଲା ବେଗେ ଧାଇଁ

ଚାରୁପୁଟେ ଛେଦି ମୁଣ୍ଡ ତଳେ ଦେଲା ଥୋଇ

ଲେଉଟି ତୂଣିରେ ଆସି ପଶିଲା ତତ୍ପର

ନୃସିଂହ ପୁରାଣ ଏହି ଅଟେ ଗ୍ରନ୍ଥସାର ।

ବିପ୍ର ପୀତାମ୍ବର ଦାସ ଅଟେ ନରାଧାମ

ଏ ଗ୍ରନ୍ଥ କି ଲେଖିବାକୁ ଅଟଇ ସକ୍ଷମ

ଶ୍ରୀନୃସିଂହ ଯୁଦ୍ଧ ଦେଖି କାଙ୍କୋଳା ଡରିଲା

ଚାହିଁଣ ଚନ୍ଦ୍ରମାଳୀକି ହସ୍ତ ଠାରିଦେଲା ।

କାଙ୍କୋଳା ଠାରି ଡ଼ାକନ୍ତେ ଜାଣି ଶେଷଦେବ

ବୋଇଲେ ଏଥର ଛାଡ଼ି ନ ଆସେ ଦାନବ ।

ଚନ୍ଦ୍ରମାଳ ଶରଜିତ ସଙ୍ଗତେ ମିଶିଲେ

ବିଳମ୍ବ ହେବ ତିନିହେଁ ମିଳି ଯୁଦ୍ଧ କଲେ

ଶୁଣିଣ ନୃସିଂହ ସ୍ଵାମୀ ମନେ ଅଳ୍ପ ହସି

ସୁଦରଶନ ଚକ୍ରକୁ ଦେଲେ ପ୍ରଭୁ ପେଷି ।

ବୋଇଲେ ଏ କାଙ୍କୋଳାର ମୁଣ୍ଡ ପକା ହାଣି

ଏ ଛାର ସଙ୍ଗେ ଯୁଝିବା ଆଉ କେତେ ପୁଣି ।

ଭାବକୁ ବୁଝିବା ପାଇଁ ଯୁଝିଥିଲ ଏତେ

ନ ମାରିଣ ବିନ୍ଧୁ ଥିଲେ ବାଣ ଗୋଟି କେତେ ।

ତୁ ଏବେ ଯାଇଵ ଦୈତ୍ୟର ମୁଣ୍ଡବେଗେ କାଟ

ବାହୁଡ଼ି ଆମ୍ଭ ଛାମୁରେ ଶୀଘ୍ର ଆସି ଭେଟ ।

ଶୁଣିଣ ସେ ସୁଦର୍ଶନ ଗଲା ଅନ୍ତରାଳେ

ଦୈତ୍ୟର ମୁଣ୍ଡକୁ ହାଣି ଆସିଲା ତତ୍କାଳେ ।

ଶ୍ରୀନୃସିଂହ ପ୍ରଭୁ କରେ ପରବେଶ ହେଲା

ଉତ୍ତାନଶାୟୀ ହୋଇଣ କାଙ୍କୋଳା ପଡ଼ିଲା ।

ଗର୍ଜନ କରି ଭୂମିରେ ଦୈତ୍ୟ ପଡ଼ିଗଲା

ଦେବଗଣଙ୍କ ଆସନ ସ୍ଵର୍ଗରେ କମ୍ପିଲା ।

କାଙ୍କୋଳା ମରିବା ବାର୍ତ୍ତା ଦେବଗଣ ପାଇ

ପୁଷ୍ପ ବରଷିଲେ ଶ୍ରୀନୃସିଂହ ଶିରେ ନେଇ ।

ଦେବକୁଳକୁ ଯେଣୁ ସେ ଦୁଃଖ ଦେଉଥିଲା

ଅଳପ ଆୟୁଷ ହୋଇ ତେଣୁ ଏବେ ମଲା ।

ପ୍ରାଣୀମାନଙ୍କୁଟି ଯେହୁ ଦେଉଥାଇ ଦୁଃଖ

ପ୍ରାଣ ଅନ୍ତେ ପଡ଼େ ସେହୁ କୁମ୍ଭୀପାକ ନର୍କ ।

ପରକୁ ପ୍ରମାଦ ଯେହୁ ହୃଦେ ଚିନ୍ତୁଥାଇ

ତାହାର ଅଭାଗ୍ୟ କଥା କହି ନ ସରଇ

କାହାକୁ ମାରଇ ଯେହୁ ମାଡ଼ ବଡ଼ପଣେ

ସେ ମାଡ଼ ଲେଉଟି ତାକୁ ପଡ଼େ ତତକ୍ଷଣ ।

କେହୁ ଜାଣ ବଡ଼ପଣ ବହି କଳି କରେ

କେହୁ ମନେ ଡ଼ରି କଳି କରେ ଧୀରେ ଧୀରେ।

ବୁଝିଲେ ସବୁରି ଆତ୍ମା ସଂସାରେ ଏକ

ଏକଥା ଭାବି ନ ପାରେ ଏକା ଅବିବେକ ।

ବୁଝିଲେ ଏ ପୃଥ୍ଵୀଯାକ କାହାରି ନୁହଇ

ସବୁଙ୍କୁ ଦ୍ଵିପାଦ ଭୂମି ଛନ୍ତି ପ୍ରଭୁ ଦେଇ

ଦ୍ଵିପାଦ ଭୂମିରେ ନାହିଁ କାହାର ଯେ ବଳ

ସବୁ ଲୋକଙ୍କୁତ ଦେଇଛନ୍ତି ଆଦିମୂଳ ।

ଏ ରୂପେ ବୋଲିଣ ଦେବ ଶାନ୍ତିକୁ ଲଭନ୍ତି

ନାରଦ ଶୁଣନ୍ତି ବେଦପତି ଯେ କହନ୍ତି ।

କାଙ୍କୋଳାସୁର ସୈନ୍ୟ ଆଣିଥିଲା ଯେତେ

ଅଶ୍ଵ ହସ୍ତୀ ଯେ ପଦାତି ରଥି ଅପ୍ରମିତେ ।

ସବୁରି ପ୍ରାଣଗଲା ସେ ପଡ଼ିଲେକ ଢଳି

ଆବର ଅଛନ୍ତି ଶରଜିତ ଚନ୍ଦ୍ରମାଳୀ ।

ପବନଘାତେ ଭାଜଇ ଯେହ୍ନେ ରମ୍ଭାବନ

ସେହିପରି ମରିଗଲେ କାଙ୍କୋଳାର ସୈନ୍ୟ ।

ପଦାତି ଉପରେ ଅଶ୍ଵ ପଡ଼ିଲେ ଯେ ମାଡ଼ି

ଅଶ୍ଵ ଉପରେ ପର୍ବତ ପ୍ରାୟ ଗଜ ପଡ଼ି ।

ବହିଲା ରକତ ସ୍ରୋତ ନଦୀସମ ଜାଣ

ଦଣ୍ଡକେ ଶୋଷିଣ ସବୁ ଦେଲେ ଯୋଗ୍ନିଗଣ ।

କଙ୍କାଳୀ ଚାମୁଣ୍ଡୀ କାତ୍ୟାୟିନୀ ଭଦ୍ରାକାଳୀ

ଭକ୍ଷନ୍ତି ରକତ ମାଂସ ହୋଇ ମତୁଆଳି ।

କହ କହ ଟହ ଟହ କରି ଘୋର ଧ୍ଵନି

ମଡ଼ାକୁ ମଡ଼ାରେ ଛେଦିଦ୍ୟନ୍ତେ ଯାଜ୍ଞସେନୀ ।

ଖାଙ୍କର ମୁଣ୍ଡ ଖର୍ପର କରେ ଧରି ଖଣ୍ଡା

ମଦିରା ମାଂସ ଖାଇଣ ନାଚଇ ପ୍ରଚଣ୍ଡା ।

 

 

କେଶକୁ ମୁକୁଳା କରି ହସି ଟହ ଟହ

ଖେଳନ୍ତି ସେ ରଣରଙ୍ଗେ ଉଲଗ୍ନ ଯେ ଦେହ ।

କାଳିକା କାମୀକ୍ଷୀ କାଳରାତ୍ରୀ କାମସେଣା

ଚମ୍ପାଇ ବିମଳା ପଦ୍ମତୋଳା ଚାରୁଗଣା ।

ଚର୍ଚ୍ଚିତା ଚାମୁଣ୍ତା ଶାକମ୍ବରୀ ଚନ୍ଦ୍ରମୁଖୀ

ଶରଦା ରୁଦ୍ରାଣି କାମଚଣ୍ତୀ ବିରୂପାକ୍ଷୀ ।

ତେନ୍ତାଳୀ କଙ୍କାଳୀ କରାଳୀ ଯେ ଦୁର୍ଗେଶ୍ୱରୀ

କୋଠରୀ ବାହୁତି ବାବଭୂତି ଝାଡ଼େଶ୍ୱରୀ ।

ରୂପାଈ କୁନ୍ତାଈ ହାଡ଼ବାଈ ମହାମାୟୀ

ପାଟୋଳୀ ନମାଈ ଅନ୍ତରାଈ ପର୍ବତାଈ ।

ହିଙ୍ଗୁଳା ମାତଙ୍ଗୀ ସାରକମା ତିଳୋତ୍ତମା

ହାବେଣୀ ମଙ୍ଗଳାଚଣ୍ତୀ ତାରେଣୀ ଯେ ଭୀମା ।

କପାଳୀ ବିଜୟା ଛାୟା ମାୟା କଳାମୁଖୀ

କାଳିକା ଯେ କାଳରାତ୍ରୀ ଚର୍ଚ୍ଚିକା ରକ୍ତାକ୍ଷୀ ।

ଏହିରୂପେ ଯୋଗିନୀଗଣ ପଶି ରଣଭୂଇଁ

କ୍ଷଣକ ମାତ୍ରେ ଶୋଣିତ ଦେଲେ ସବୁ ଖାଇ ।

ସେ ଅଭୟା ପାଦତଳେ ରହୁ ମୋର ମନ

ଅନୁକ୍ଷଣେ ବାଞ୍ଛାକରେ ପୀତାମ୍ବର ଦୀନ ।

ଶରଜିତ ଏବଂ ଚନ୍ଦ୍ରମାଳୀର ଯୁଦ୍ଧ ଓ ମୁତ୍ୟୁ

ଶୁଣନ୍ତି ନାରଦ କହୁଛନ୍ତି ବେଦବର ।

ଏ ନୃସିଂହ ପୁରାଣର ମହିମା ଅପାର ।

କାଙ୍କୋଳାର ମରିବାର ଦେଖି ଶରଜିତ

କାନ୍ଦିଲେ ଚନ୍ଦ୍ରମାଳିକି ଘେନି ଅପ୍ରମିତ ।

ବୋଇଲେ ଭୋ ସଖା ଗଲୁ ତୁ ଆମ୍ଭଙ୍କୁ ଛାଡ଼ି

ନିସଖା ହୋଇ ରହିଲୁ ଆମ୍ଭେ ଏଥେ ପଡ଼ି ।

ତୋ ଗୁଣ ତ ବାହୁନିଲେ କାଳ ନ ଅଣ୍ଟିବ

ଏ ରୂପେ ବୋଲି ଖଡ଼ଗ ଧଇଲେ ଦାନବ ।

ଚନ୍ଦ୍ରମାଳୀ ବୋଇଲା ହୋ ଶରଜିତ ଶୁଣ

ମୋ ଭାଗେ ଶେଷଦେବ ତୋ ଭାଗେ ନାରାୟଣ ।

ଏ ରୂପେ ବୋଲି ଧଇଲା ଶର ଚନ୍ଦ୍ରମାଳୀ

ବୋଇଲା ଶେଷଦେବର ଛେଦିବି ମଉଳି ।

ଶେଷଦେବ ମଲେ ଏକା ଏ ନୃସିଂହ ହେବ

ମାରିବା ଯେ ଦୁହେଁ ଏକା ହୋଇ ବାସୁଦେବ ।

ମାରିଛି ଆମ୍ଭର ରାଜପୁତ୍ର ପରଂବ୍ରହ୍ମ

ତାର ସାନ ଭାଇ ମଲେ ହେବ ସରସିମ ।

ଏ ରୂପେ ସେ ଚନ୍ଦ୍ରମାଳୀ ବିଚାରୁ ବିଚାରୁ

ଜାଣି ତାହା ଶେଷଦେବ ହସି ଖଣ୍ତେ ଦୂରୁ ।

ବୋଇଲେ ଦୈତ୍ୟର ଏବେ ପୂରିଲା ଆୟୁଷ

ପ୍ରକୃତିଛଡ଼ା ହୋଇ ଏ ପାଞ୍ଚିଛି ଭବିଷ୍ୟ ।

ବିନ୍ଧୁ ବାଣ ଆଗ କୋପ ଉପୁଜୁ ଯେ ତାର

ତହିଁ ଉତ୍ତାରୁ ମୁଁ ପ୍ରାଣ ଘେନିବି ଏହାର ।

ଏ ରୂପେ ପାଞ୍ଚୁ ପେଷିଲା ଦୈତ୍ୟବାଣ ବେଗେ

ତୀକ୍ଷ୍‌ଣଶର ପେଷି ଶେଷ ଛେଦିଲେ ସେ ଲାଗେ ।

ପୁଣିହିଁ ଅଧାଚନ୍ଦ୍ରକୁ ପେଷିଲାକ ଦୈତ୍ୟ

ସପତ ଫଣିରେ ଫୁଙ୍କି ଦେଲେ ଈଳାକାନ୍ତ ।

ସେ ଶର ଯାଇଁ ସମୁଦ୍ରେ ଜଳେ ଗଲା ମିଳି

ଦେଖିକରି ସ୍ତମ୍ଭୀଭୂତ ହେଲା ଚନ୍ଦ୍ରମାଳୀ ।

ବୋଇଲା ମେଣ୍ଟିଲା କେଡ଼େ ଶର ଶେଷଦେବ

ନୁହଇ ମନୁଷ୍ୟ ଏହୁ ଅଟେ ବ୍ରହ୍ମା ଶିବ ।

ନୃସିଂହ ପ୍ରଭୁଠାରୁ ଏ କେଡ଼େ ବଳିୟାର

ନୋହିଲେ ମେଣ୍ଟିଣ କରିପାରନ୍ତା କି ଶର ।

ଏ ରୂପେ ବୋଲି ଲକ୍ଷେକ ଅହିଶର ଧରି

ବିନ୍ଧିଲା ସେ ଦୈତ୍ୟବୀର ମନେ କୋପକରି ।

ଆସନ୍ତେ ସେ ସର୍ପ ମଞ୍ଚ ମଣ୍ତଳକୁ ଘୋଟି

ଗରୁଡ଼ ଦେଖି ପାତାଳେ ପଶିଲେ ସେ ହଟି ।

ତାହା ଦେଖି ଚନ୍ଦ୍ରମାଳୀ ହେଲା ଆଚମ୍ବିତ

ବୋଇଲା ବିନ୍ଧିଲା କେଡ଼େ ଶର ଈଳାକାନ୍ତ ।

ପୁଣିହିଁ ପେଶିଲା ବଜ୍ରଶର ଦୈତ୍ୟ ନେଇ

ଛେଦିଲେ ପର୍ବତ ଶର ପେଷି ଈଳାସାଈଁ ।

ଦେଖିଣ ତା ଚନ୍ଦ୍ରମାଳୀ ହେଲା ଚମତ୍କାର

ବୋଇଲା ଧନ୍ୟ ଅଟଇ ଏହୁ ବିପ୍ରବର ।

ବୁଝିଲେ ତ ବିପ୍ରକୁଳ ଅଟେ ଗୋଳାକୁଣ୍ତା

କ୍ଷତ୍ରୀଠାରୁ ବଳି କରେ ସାଧନା ଏ ଖଣ୍ତା ।

ବଳିଷ୍ଠ ସମାନ ମୁହିଁ ବିନ୍ଧିଲି ଯେ ଆଣି

କି ରୂପେ ମେଣ୍ଟିଣ କରୁଅଛି ସସ୍ରଫଣୀ ।

ମୋ ଆଗେ ପଡ଼ଛି ଏହି ଯିବ ଆଜ କାହିଁ

ଜୀବନ୍ତା ବନ୍ଦୀ କରିଣ ଧରିନେବ ମୁହିଁ ।

ଶାଙ୍କୋଳି ପିନ୍ଧାଇ ରାଜା ଆଗେ ନେଇ ଦେବି

ଦେଖିଲେ ଛାଡ଼ିବ ମୃରାସୁର ପୁତ୍ର ଦେବି ।

ଏ ରୂପେ ବୋଲିଣ କୋପ ହୋଇ ଚନ୍ଦ୍ରମାଳୀ

ଧଇଲା ଭୂମିରେ ଆଣ୍ଠୁ ମାଡ଼ି ଧନୁ ତୋଳି ।

ଗୁଣରେ ବସାଇ ଲକ୍ଷେ ଶର ତୀକ୍ଷଣମୁନ

ମନ୍ତ୍ରବଳେ ପେଷିଣ ତା ଦେଲା ଯାତୁଧାନ ।

ମହୁ ଘରକୁ ପଳାନ୍ତି ମାଛି ଯେହ୍ନେ ଭାଜି

ସେହି ପ୍ରକାରେ ଆସନ୍ତି ଶର ଶୂନ୍ୟେ ଗର୍ଜି ।

ଦେଖିଣ ଶେଷ କତୁରୀଶର ଧରି ମାରି

ଅସୁର ଶରକୁ ବାଟେ ଦେଲେକ କତୁରୀ ।

ତାହା ଦେଖି ଚନ୍ଦ୍ରମାଳୀ ହେଲା କୋପାନଳ

ଆକର୍ଷି ତୁହାଇ ଧନୁ ଧରି କରସ୍ଥଳ ।

ନାରାଚ ବିନ୍ଧନ୍ତେ ପରିଘାଇ ବାଣ ଟାଣି

ଗୁଣରୁ ଛାଡ଼ୁ ଛେଦିଲେ ଶର ସପ୍ତଫେଣୀ ।

ମନରେ କୋପ କରିଣ ଈଳାଦେବୀକାନ୍ତ

କତୁରୀଶର ଧରିରେ ଆଣି ପୁଣି ହସ୍ତ ।

ବିନ୍ଧିଲେ ହୁଙ୍କାର ନାଦକରି ସପ୍ତଫଣୀ

ଅସୁର ହସ୍ତରୁ ଧନୁ ପକାଇଲେ ହାଣି ।

ପୁଣି ପେଷିଲେକ ବାଣ ଶ୍ରୀନୃସିଂହ ଭାଇ

ସାରଥିକି ରଥପରେ ଦେଲେକ ଚିହ୍ନାଇ ।

ରଥ ଚକଡ଼ାରେ ଦୈତ୍ୟ ହୋଇଥିଲା ଛିଡ଼ା

ତା ଦେଖି ସେ ଡେଇଁ ପଳାଇଲା ଦଶଭେଡ଼ା ।

ଶିରରୁ ମୁକୁଟ ଖସି ପଡ଼ିଲା ଭୂମିରେ

ତ୍ରିପଣ୍ତ ହୋଇଣ ଝାଳ ବହଇ ଶରୀରେ ।

ତାଳୁକା କଣ୍ଠ ଅଧରୁ ଓଷ୍ଠ ଯାଏ ଶୁଖି

ଅଣ୍ଟାରେ ସମ୍ଭାଳି ବାସ ନ ପାରଇ ରଖି ।

କାତର ହୋଇ ଧଇଲା ଗଦା ପୁଣି କରେ

ଧାମଇ ସେ ପାଦଗତ ହୋଇ କୋପଭରେ ।

ଚୌଷଠି ସହସ୍ର ଭାର ଗଦା ହସ୍ତେ ବହ

ପ୍ରଚଣ୍ତ ଅଗ୍ନିର ଶିଖାପ୍ରାୟ ଅଛି ଧାଇଁ ।

ମିଳନ୍ତେ ହସ୍ତରେ ଗଦା ଧରି ଶେଷ ଆଗେ

ପିଟିବାକୁ ମନ କଲା ଅନନ୍ତଙ୍କ ଅଙ୍ଗେ ।

ଗରୁଡ଼ ଦେଖିଣ ତାହା ରଥେ ଦେଲା ପେଲି

ବାଜନ୍ତେ ଗଦା ପୃଥ୍ୱୀରେ ପଡ଼ିଲା ଚହଲି ।

ପଡ଼ନ୍ତେ ସେ ଗଦାବର କଲା ଘୋର ଧ୍ୱନି

ବାସୁକୀ ଆସନଯାଏ କମ୍ପିଲା ମେଦିନୀ ।

ଗଦା ଉପରେ ପିଟନ୍ତେ ଗଦା ଈଳାକାନ୍ତ

ବାଜନ୍ତେ ଦୈତ୍ୟର ଗଦା ଦେଲା ଚୂର୍ଣ୍ଣୀଭୂତ ।

ସହସ୍ର ଖଣ୍ତ ହୋଇଣ ପଡ଼ିଲାକ ଭାଜି

ତୁଣ୍ତ ବିସ୍ତାରି ଦୈତ୍ୟ ଧାଇଁଲା ଗଳଗାଜି ।

ବାବଲଶର ପେଷିଲେ ପୁଣି ସପ୍ତଫଣୀ

ବୋଇଲେ ଦୈତ୍ୟକୁ ଯାଇ ବେଗେ ପକାହାଣି ।

ଯୁଝିବା ଏ ଛାର ଦୈତ୍ୟସଙ୍ଗେ କେତେ ଆଉ

ମଲେ ବେଗେ ଏ ସଂସାରୁ କଳଙ୍କଟି ଯାଉ ।

ଶୁଣିଣ ବାବଲଶର ଗଲା ଅନ୍ତରାଳେ

ଦୈତ୍ୟର କନ୍ଧରେ ଯାଇ ପଡ଼ିଲା ତତ୍କାଳେ ।

ବେନି ଖଣ୍ତ କରିଦେଲା ଦୈତ୍ୟକୁ ଯେ ହାଣି

ଗର୍ଜିଣ ଅସୁର ବୀର ପଡ଼ିଲା ଧରଣୀ ।

ମରନ୍ତେ ଯେ ଚନ୍ଦ୍ରମାଳୀ ଦେଖି ଶରଜିତ

ଆହାରେ ସଖା ବୋଲି ସେ କାନ୍ଦିଲା ବହୁତ ।

ତୋହରି ଗୁଣ ବାହୁନି ମୁହିଁ କାନ୍ଦୁଥିଲେ

ବିଅର୍ଥେ ମୁଁ ମରିଯିବି ସମର ନ କଲେ ।

ନୃସିଂହ ଏକ୍ଷଣି ଛେଦି ପକାଇବ ମୁଣ୍ତ

ଯୁଦ୍ଧରେ ମଲେ ପବିତ୍ର ହେବ ସିନା ପିଣ୍ତ ।

ସମର କରୁ କରୁ ଯେ ନାରାଚରେ ମଲେ

ତାହାଙ୍କୁ ଯମଦଣ୍ତ ନ ଲାଗେ ପ୍ରାଣ ଗଲେ ।

ଏ ରୂପେ ପାଞ୍ଚିଲେ ଧନୁ ଧଇଲା ସେ ଦୈତ୍ୟ

ନୃସିଂହ ଉପରେ ବାଣ ବିନ୍ଧିଲା ଅୟୁତ ।

ନାରାଚ ଆସନ୍ତେ ତାହା ଦେଖି ନାରାୟଣ

ତୀକ୍ଷ୍‌ଣ ନାରଚେକ ପେଷି ଛେଦିଲେ ତକ୍ଷଣ ।

ଦେଖିଣ ତା ଶରଜିତ ମନେ ମନେ ପାଞ୍ଚି

ବୋଇଲା କେଡେ କ୍ଷତ୍ରିୟ ଅଟେ ଶିରୀବତ୍ସି ।

ଏ ଧନୁର୍ଦ୍ଧର ପଣେ କି ଦେବା ପଟାନ୍ତର

ଏ ରୂପେ କ୍ଷତ୍ରୀ ଜଣେ ନ ମିଳେ ତିନିପୁର ।

ବ୍ରାହ୍ମଣ କୁଳେ ଜନ୍ମି ଏ କେଡ଼େ ଶୁରବନ୍ତ

ଆମ୍ଭେ ବୋଲିବାକୁ ଧନୁ ଧରୁ ମାତ୍ର ହସ୍ତ ।

କେଡ଼େ କ୍ଷତ୍ରୀ ହେଲେ କି ସେ ଯିବେ ମୋର ଆଗ

ମରିବ ସେ ଛଟପଟ ହୋଇ ପ୍ରାଣତ୍ୟାଗ ।

ୟାକୁ ଜିଣିଲେ ତ ଯଶ ହେବ ଅଳ୍ପ ମୋର

ବ୍ରହ୍ମାଣ୍ତ ଯାକ ବୋଲନ୍ତି ମୋତେ କ୍ଷତ୍ରୀବର ।

ଏ ରୂପେ ବୋଲି ଦଇତ ଗର୍ଜି କୋପଭରେ

ଧଇଲା ସହସ୍ରେ ବଳ ଧନୁ ବାମକରେ ।

ଲକ୍ଷେକ ବାବଲବାଣ ଯୋଚେ ନେଇ ଗୁଣେ

ମନୁ ବେଗେ ବଳି ଶର ବର୍ଷିଲା ତକ୍ଷଣେ ।

ପେଷିଲାକ କ୍ଷଣେମାତ୍ର ହୁଁ କାର ଯେ କରି

ପୁଣ ହିଁ ପେଷିଲା ଦୈତ୍ୟ ଅଧାଚନ୍ଦ୍ର ଚାରି ।

ଆଖି ପିଛଡ଼ା ମାତ୍ରକେ କଲା ଶର ବୃଷ୍ଟି

କମ୍ପିଲା ଋଣ ଟଙ୍କାର ଘାତେ ନବସୃଷ୍ଟି ।

ପୁଣି ଅୟୁତେ କତୁରୀବାଣ ହସ୍ତେ ଘେନି

ଆଖି ପିଛଡ଼ା ମାତ୍ରକ ପେଷେ ଯାତୁଧାନି ।

ପୁଣିହିଁ ପେଷିଲା ତୀକ୍ଷ୍‌ଣ ଶର ଲକ୍ଷେ ଚାରି

ଆସନ୍ତି ଶରମାନେ ଯେ ଆକାଶରେ ପୂରି ।

ଅସୁର ବିନ୍ଧିବା ଦେଖି ହସି ଲକ୍ଷ୍ମୀନାହା

ତହିଁକି ଯେ ପ୍ରତିଅସ୍ତ୍ର କଲେ ଚଉବାହା ।

ମନଭେଦୀ ଶର ପେଷିଦ୍ୟନ୍ତି ନରସିଂହ

ରଖିଲା ଦୈତ୍ୟର ଶର ରୁଦ୍ଧି ଅଧା ସ୍ୱର୍ଗ ।

ସବୁ ବେନି ଖଣ୍ତ କରି ଭାଙ୍ଗି କୁଢ଼ କଲା

ନୃସିଂହ ତୂଣୀରେ ଆସି ପ୍ରବେଶ ହୋଇଲା ।

ଦେଖିକରି ଚମତ୍କାର ହେଲା ଦୈତ୍ୟବୀର

ପର୍ବତଶର ଲକ୍ଷେକ ବିନ୍ଧିଲା ତତ୍ପର ।

ମନ୍ତ୍ରକୁ ପଢ଼ି ନାରାଚ ବେଗେ ଦେଲା ଛାଡ଼ି

ଆସନ୍ତି ଯେ ଗିରିମାନେ ଗଗନରେ ଉଡ଼ି ।

ଦେଖିଣ ପେଷନ୍ତି ବଜ୍ରଶର ନାରାୟଣ

ବାଟରେ ବାଜିଣ ଗୁଣ୍ତା ହେଲା ତତକ୍ଷଣ ।

ପୁଣି ପନ୍ନଗ ଶରକୁ ଶରଜିତ କାଢ଼ି

ପେଷିଲା ଲକ୍ଷେକ ମନେ ମନେ ମନ୍ତ୍ରପଢ଼ି ।

ଧାମନ୍ତେ ସେ କାଳସର୍ପ ହୋଇ ବିକରାଳ

ଶୂନ୍ୟରେ ଆସନ୍ତେ ମୁଖୁ ପଡ଼ଇ ଗରଳ ।

ଆସନ୍ତି ସେ ଜିହ୍ୱାମାନ କରି ଲହ ଲହ

ଫଣାକୁ ବିସ୍ତାରିଛନ୍ତି ଯେ ଯାହାର ଦେହ ।

ତାହା ଦେଖି ଦେବତାଏ ଶୁନ୍ୟପୁରେ ଡରି

ଲୁଚିଲେ ମେରୁକ୍ରୋଟରେ ମନେ ଭୟ କରି ।

ଦେବତାଙ୍କ ଭୟେ ଜାଣି ଶ୍ରୀନୃସିଂହ ପ୍ରଭୁ

ନାଶିଲେ ଗରୁଡ଼ ଶର ପେଷି ସର୍ପ ସବୁ ।

ଦେଖିଣ ସେ ଶରଜିତ ହେଲା ଚମତ୍କାର

ବୋଇଲା ଭଲା ନୃସିଂହ ଅଟେ ମହାବୀର ।

ମୋହ ବାଣଠାରୁ ତାର ବାଣ କେଡ଼େ ଟାଣ

ବିନ୍ଧିଲା କ୍ଷଣି ତା ଭାଜି ପକାଏ ତକ୍ଷଣ ।

ଏଥର ମୁଁ ଅଗ୍ନିଶର ବେଗେ ପେଷିଦେବି

ନୃସିଂହଗଣ ଯାକଙ୍କୁ ପୋଡ଼ି ପକାଇବି ।

ଏ ରୂପେ ବୋଲି ଧନୁରେ ଶର ନେଇ ରଖି

ଦକ୍ଷିଣ କର୍ଣ୍ଣ ପର୍ଯ୍ୟନ୍ତ ଆଣିଲାକ ଝିଙ୍କି ।

ବିନ୍ଧନ୍ତେ ସେ ଅଗ୍ନି ଜଳିଉଠେ ଶୂନ୍ୟେ ପୂରି

ଆସନ୍ତେ କୃଶାନୁ ଘୋଟି ଦେଖି ନରହରି ।

ଧଇଲେ ଜଳଧାରା ଶର ଦେବରାଜ

ହେଲେ ଜଳବୃଷ୍ଟି ଲିଭିଗଲା ଅଗ୍ନିତେଜ ।

ଦେଖି ଶରଜିତ ବିନ୍ଧେ ପୁଣି ମେଘଶର

ଛେଦିଲେ ବାୟୁ ବଣରେ ତାହା ଚକ୍ରଧର ।

ନାଶକର ଶର ପୁଣି ପେଷନ୍ତେ ଦଇତ୍ୟ

ଛେଦିଲେ ବାରୁଣାଶରେ ତାହା ଲକ୍ଷ୍ମୀକାନ୍ତ ।

ଦେଖିଣ ଦୈତ୍ୟବୀର ମନରେ କଲା ଶଙ୍କା

ବୋଇଲା କେଡ଼େ କ୍ଷତ୍ରୀ ଏ ଅଟେ ବିଷ୍ଣୁ ଏକା ।

ଯୁଝିଲେ ଏ ପ୍ରଭୁ ସଙ୍ଗେ ମଙ୍ଗଳ ତ ନାହିଁ

ବାହୁଡ଼ି ଗଲେ ହସିବା ରାଜା ମୋତେ ଚାହିଁ ।

ତେରପଦ୍ମ ଶ୍ରୀ ନୃସିଂହଗଣ ଯହିଁ ଛନ୍ତି

ତହିଁକି ହୋଇଛି ଜଣେ ମୁହିଁ ଏକା କ୍ଷତ୍ରୀ ।

ଯୁଦ୍ଧ କରୁ କରୁ ଏ ନୃସିଂହ ହାତେ ମଲେ

ପବିତ୍ର ହୋଇ ବୈକୁଣ୍ଠ ପୁରେ ଯିବି ଭଲେ ।

ଏ ରୂପେ ପାଞ୍ଚି ଦଇତ୍ୟ କରେ ଧରି ଧନୁ

ପେଷ ବାଣ ଶୂନ୍ୟ ଯେହ୍ନେ ଉଇଁଆସେ ଭାନୁ ।

ଏ ରୂପେ ଆସନ୍ତେ ଶରମାନ ମହାତେଜେ

ଛେଦିଲେ ତୀକ୍ଷଣ ନାରାଚ ପେଶି ଦେବରାଜେ ।

ପାଞ୍ଚିଲେ କରିବା ଏହା ସାଙ୍ଗେ କେତେ ଯୁଦ୍ଧ

ଆଣ୍ଟି ନାରାଚ ପେଷିଣ କରିଦେବା ବଧ ।

ଏହା ପାଞ୍ଚି ପ୍ରଭୁ ଅଜଗବ ଧନୁ କାଢ଼ି

ଗୁଣେ ବସାଇ ବାବଲଶର ମନ୍ତ୍ର ପଢ଼ି ।

ବୋଇଲେ ଦୈତ୍ୟର ଶିର ପକା ବେଗେ ହାଣି

ଗୃହକୁ ଗଲେ ତ ଶୀଘ୍ର ହେବ ଦେହ ପାଣି ।

ଶୁଣିଣ ବାବଲଶର ଚଳିଲା ତତ୍କାଳେ

ଆସିଲା ଦୈତ୍ୟର ଶିର ହାଣି କୋପାନଳେ ।

ନୃସିଂହ ତୂଣିରେ ଆସି ପଶିଲା ତତ୍ପର

ଶୁଣ ହେ କଳହ ପ୍ରିୟ କହେ ବେଦବର ।

ଏ ରୂପେ ମଲେ ମୁରର ସେନାପତି ତିନି

ଚନ୍ଦ୍ରମାଳୀ ଶରଜିତ କାଙ୍କୋଳାକୁ ଘେନି ।

ଆବର ଯେତେକ ସେନା ଥିଲେ ତ ଉବୁରି

ନୃସିଂହ ଗଣ ତାହାଙ୍କୁ ଦେଲେ ସବୁ ମାରି ।

ଅୟୁତେକ ଗଜ ଅଶ୍ୱ ଲକ୍ଷେ ଲମ୍ବଗ୍ରୀବ

ଜଣେ ଉବୁରି ତହୁଁ ନ ଗଲେ ଜାଣଧ୍ରୁବ ।

ସଂହାରିଲେ ସମସ୍ତଙ୍କୁ ଶ୍ରୀନୃସିଂହଗଣେ

ଗଙ୍ଗାରେ ସ୍ନାନ କରିଣ ଗଲେ ପ୍ରଭୁ ସ୍ଥାନେ ।

ନୃସିଂହ ବୋଲେ ଆନନ୍ଦବନେ ରହିଥାଅ

ଯଜ୍ଞବେଦୀପରେ ବସି ତୁମ୍ଭେ ପୂଜାପାଅ ।

ତେର ପଦ୍ମଯାଏ ତହିଁ ବାନ୍ଧି କୁଞ୍ଜଲତା

ସେହି କୁଞ୍ଜବନେ ତୁମ୍ଭେ ହେବ ହର୍ତ୍ତା କର୍ତ୍ତା ।

ନୃସିଂହ ଗୋଟିଏ କୁଞ୍ଜ ଏକ ବାନ୍ଧି ରହ

ଦଇତ୍ୟ ଯୁଝିଲେ ପୁଣି ଆସି ଦେଖା ଦିଅ ।

ରହିଲେ ନୃସିଂହଗଣେ ପ୍ରଭୁ ଆଜ୍ଞା ପାଇ

ଶୂନ୍ୟରେ ସ୍ତୁତି କରନ୍ତି ଦେବଗଣେ ରହି ।

ଚନ୍ଦନ ଦୁର୍ବା ଅକ୍ଷତେ କରେ ଧରି ପୁଷ୍ପ

ଦେବତାମାନେ ମିଳିଲେ ଆସି ବିଷ୍ଣୁ ପାଶ ।

ଶ୍ରୀନୃସିଂହ ମଥାପରେ କଲେ ପୁଷ୍ପବୃଷ୍ଟି

ନମନ୍ତି ଯେ ସ୍ତୁତିକରି ଦେବେ କୋଟି କୋଟି ।

ବୋଲନ୍ତି ନୃସିଂହ ଜୟ ଜୟ ପଦ୍ମନାଭ

ପାଦ ସେବୁଛୁଁ ତେତିଶକୋଟି ଆମ୍ଭେ ଦେବ ।

ଆଦ୍ୟ ଅବତାର ଶ୍ରୀ ନୃସିଂହ ନରହରି

ବଲ୍ଲଭଘରେ ଜନ୍ମିଲେ ଆସି ଦେହ ଧରି ।

ଆନ କେହୁ ନିବାରନ୍ତେ ଏତେ ଦୈତ୍ୟବଳ

ଏ ଦୈତ୍ୟଗଣଙ୍କୁ ତୁମ୍ଭେ ପ୍ରତ୍ୟକ୍ଷେ ଅନଳ ।

ଏ ଯେଉଁ କଙ୍କୋଳାସୁର ମୁର ସେନାପତି

ସମସ୍ତ ସେନା ଉପରେ ଅଟେ ବଡ଼ ମୂର୍ତ୍ତି ।

ସ୍ୱର୍ଗରେ ରଖିଲା ବାସବଙ୍କୁ ବନ୍ଦୀ କରି

ବହୁତ କ୍ଳେଶ ପାଇଲା ତହିଁ ବଜ୍ରଧାରୀ ।

ତୁମ୍ଭ ପ୍ରସାଦରୁ ଏବେ ଭୁଞ୍ଜି ବସେ ଭୋଗ

ନଶ୍ଚିନ୍ତ ହୋଇ ବସିବ ଇନ୍ଦ୍ରଦେବ ସ୍ୱର୍ଗ ।

କୃଷ୍ଣବଲ୍ଲଭ ନୃପତି ବଡ଼ ଭାଗ୍ୟବନ୍ତ

ପ୍ରତ୍ୟକ୍ଷେ ଲଭିଲା ପୁତ୍ର କରି ଲକ୍ଷ୍ମୀକାନ୍ତ ।

ପ୍ରତ୍ୟକ୍ଷେ ଅଦିତିଅଂଶ ଅଟେ ଭାଗବତୀ

ଏ ରୂପେ କରନ୍ତି ପାଦେ ନମି ଦେବେ ସ୍ତୁତି ।

ମେଲାଣି ହୋଇଣ ଦେବେ ଗଲେ ଯେଝା ଦେଶ

ସେ ପାଦେ ଶରଣ ବିପ୍ର ପୀତାମ୍ବର ଦାଶ ।

ଦେବଙ୍କୁ ମେଲାଣି କରି ପ୍ରଭୁ ବ୍ରହ୍ମରାଶି

ନଗରକୁ ବିଜେ କଲେ ଗରୁଡ଼ରେ ବସି ।

ଆଗରେ ବଜାଇ ବୀର କାହାଳୀ ଯେ ଶଙ୍ଖ

ନୃସିଂହଙ୍କ ଚାରିପାଖେ ଯାନ୍ତି ସୈନ୍ୟଯାକ ।

ଆଗରେ ସୁଜାଣ ମନ୍ତ୍ରୀ କର୍ଣ୍ଣାଟ ଈଶ୍ୱର

ଚଢ଼ିଛନ୍ତି ଦେବଯାନେ ଅନନ୍ତ ଭୂଧର ।

ବଦରିକା ବଡ଼ଦାଣ୍ତେ ଯାନ୍ତି ଆଦିମୂଳ

କରନ୍ତି ଶୂନ୍ୟେ କୁସୁମ ବୃଷ୍ଟି ଦେବକୁଳ ।

ଚୌଷଠି ସହସ୍ର କନ୍ୟା ଦ୍ୟନ୍ତି ହୁଳହୁଳି

ନିଜ ମନ୍ଦିରେ ମିଳିଲେ ଯାଇଁ ବନମାଳୀ ।

ଆବର ଅଛନ୍ତି ଅଷ୍ଟସଖୀ ସେବା ଲାଗି

ଯାହାର ଯେମନ୍ତ ସେବା କରନ୍ତି ତା ବେଗି ।

ପୁତ୍ରଙ୍କୁ ଘେନିଣ ମାଏ ଧରି ଅର୍ଘ୍ୟସ୍ଥାଳୀ

ବନ୍ଦାନ୍ତି ବଧୂକୁ ସଘେ ଘେନି ବନମାଳୀ ।

ନୃସିଂହଙ୍କ ବେନି ନେତ୍ରେ କନ୍ୟା ବେନି ନେତ୍ର

ଚାହାନ୍ତେ ପ୍ରେମ ରସରେ ହୋଇ ଏକ ସୂତ୍ର ।

ଚାହିଁବା ମାତ୍ରକେ ନେତ୍ର ହେଲା ପ୍ରେମେ ପ୍ରୀତି

ନୟନେ ନନେ ରମି ତୋଷ କଲେ ମତି ।

ନୃସିଂହ ଜାଣନ୍ତି ଏହା ଆନ ଜାଣେ ନାହିଁ

କେବଳ ନାୟିକାଗଣେ ଅଗୋଚର ନୋହି ।

ବ୍ରହ୍ମାଣ୍ଡେ ସେ ନାୟିକାଙ୍କ ପରି ନାହିଁ ସ୍ତିରୀ

ଖୋଜିଲେ ମିଳିବ କୋଟିକରେ ଏକ ନାରୀ ।

ଏଥିଉତ୍ତାରେ ନୃସିଂହ ପ୍ରଭୁ ଭାବଗ୍ରାହୀ

ଗରୁଡ଼ କନ୍ଧୁ ଉତୁରି କଲେ ସଭା ଯାଇ ।

ମନ୍ତ୍ରୀଙ୍କୁ ବୋଇଲେ ଗୃହମଧ୍ୟେ ଏବେ ଯାଅ

କାଲିକି ସଇନ୍ୟ ସାଜିଥିବି ଜାଣିଥାଅ ।

ଲେଉଟି ଆଉ ଦଇତ୍ୟ ଆସିବେଟି ଯୁଝି

ଖବର ଦେବା ହୋ ତୁମ୍ଭେ କାଲି ମୋତେ ବୁଝି ।

ମୁରର ମରିବା ଯାଏ ନିତି ହେବ ଯୁଦ୍ଧ

ଆମ୍ଭ ବ୍ୟତୀତ ନୁହଇ ଆନେ ସେହୁ ସାଧ୍ୟ ।

ଶୁଣିଣ ସେ ମନ୍ତ୍ରୀବର ହୋଇଲା ପ୍ରଣମି

ବୋଇଲା କରିବି ମୁହିଁ କିସ ଅନ୍ତର୍ଯ୍ୟାମୀ ।

ସମସ୍ତ ଲୋକଙ୍କ ମନ ଆଗୁଁ ତୁମ୍ଭେ ଜାଣ

ଉତ୍ତମ କରି କହିଲେ ମାତ୍ରକେ ଯେ ପୁଣ ।

କୀଟୁ ବ୍ରହ୍ମଯାଏ ସବୁ ଯାହାକୁ ତ ଜଣା

ମୁଁ କି କହିବି ମହିମା ଯାର ଅକଳଣା ।

ଛାମୁରେ ଆସିଣ ଆମ୍ଭେ କରନ୍ତେ ପ୍ରକାଶ

ତାହା ତୁମ୍ଭେ ଜାଣିଯିବ ଆହେ ଜଗଦୀଶ ।

ଶ୍ରୀନୃସିଂହ ସ୍ୱାମୀ ମନେ ମନେ ବଡ଼ ହସି

ବୋଇଲେ ସାକ୍ଷାତେ ମନ୍ତ୍ରୀ ତୁହୋ ବ୍ରହ୍ମଅଂଶୀ ।

ଏ ରୂପେ କହିଲୁ ହେବା କଥା ଚିହ୍ନି ମୋତେ

ନୋହିଲେ ଆନ ଚିହ୍ନି ନ ପାରେ କଦାଚିତେ ।

ଏ ରୂପେ ଶ୍ରୀମୁଖେ କହି ପ୍ରଭୁ ଆଜ୍ଞା ଦେଲେ

ମେଲାଣି ଦେଇଣ ପ୍ରଭୁ ଭିତରକୁ ଗଲେ ।

ମଣୋହି କୋଠାରେ ବିଜେ ହେଲେ ବେନିଭାଇ

ଶ୍ରୀଅଙ୍ଗ ପଖାଳି ପରେ ଖଦିଲାଗି ହୋଇ ।

କମଳା ସମ୍ପାଦିଛନ୍ତି ଷଡ଼ରସେ ପାକ

ପରଷନ୍ତି ଭଗବତୀ ଭୁଞ୍ଜନ୍ତି ନୃସିଂହ ।

ଶେଷଦେବଙ୍କୁ ଘେନିଣ ପ୍ରଭୁ ଭାବଗ୍ରାହୀ

ଭୁଞ୍ଜି ସାରି ପିନ୍ଧିଲାଗିହେଲେ ବେନିଭାଇ ।

ଖଗେଶ୍ୱରକୁ ପ୍ରସାଦ ଦେଲେ ପୁଣି ଖଞ୍ଜି

ଅତିତୋଷ ହେଲେ ବିଷ୍ଣୁ ନିର୍ମାଲ୍ୟ ସେ ଭୁଞ୍ଜି ।

ଆବର ଯେ ଅବଶେଷେ ଯେତେ ଥିଲା ବଳି

ଧଇଲେ ନାୟିକାଗଣ ତାହା କରେ ତୋଳି ।

ଭୁଞ୍ଜିଲେ କୈବଲ୍ୟ ଜୁର କରି ପ୍ରେମଭୋଳେ

ଅଟନ୍ତି ନୃସିଂହ ଅଙ୍ଗ ସେହୁ ସର୍ବ କାଳେ ।

ଶ୍ରୀନୃସିଂହ ଜନ୍ମ ହେଲେ କନ୍ୟା ଜନ୍ମ ହୋନ୍ତି

ନୋହିଲେ ସେ ନିତ୍ୟସ୍ଥଳେ ସଦା ରହିଥାନ୍ତି ।

ନୃସିଂହ ରାସ ହେଉଛି ନିତ୍ୟ ନିତ୍ୟସ୍ଥଳେ

ରାସ ଚିହ୍ନି ନ ପାରଇ କେହୁ ଭୂମଣ୍ତଳେ ।

କେବଳ ଭକତିମନ୍ତ ବିଜ୍ଞ ସାଧୁଜନେ

ମୋ ନିତ୍ୟକୁ ଚିହ୍ନି ଏକା ପାରନ୍ତି ସେମାନେ ।

ନିତ୍ୟ ନିର୍ଗୁଣ ବ୍ରହ୍ମ ଯେ ଅଟନ୍ତି ଶ୍ରୀହରି

ବ୍ରହ୍ମ ପ୍ରଳୟକାଳେ ସେ ନିତ୍ୟଅଙ୍ଗଧରି ।

ନିତ୍ୟ ଯାହାକୁ ବୋଲି ସେ ପୂର୍ଣ୍ଣାନନ୍ଦ ଦେହୀ

ନିତ୍ୟ ଥିବାରୁ ସେ ରାସ ନିତ୍ୟ ପ୍ରକାଶଇ ।

ନିରାଲମ୍ବେ ବିଷ୍ଣୁଙ୍କୁ କେ ଚିହ୍ନି ନ ପାରନ୍ତି

ଅଣହେତୁରୁ ପ୍ରାଣୀଟି ବ୍ୟର୍ଥେ ମରୁଛନ୍ତି ।

ବୁଝିଲେ ଅଟନ୍ତି ଏକା ନୃସିଂହ ଯେ ନିତ୍ୟ

ତାହାଙ୍କ ବିନୁ କେ ଆନ ନାହିଁ ଗତାଗତ ।

ଅନିତ୍ୟ ବୋଲି ସକଳ ରୂପ ଜାଣ କହି

ନିତ୍ୟକୁ ନ ଭଜି ନରେ ରୂପେ ହୋନ୍ତି ମୋହି ।

 

ନିତ୍ୟଟି ଶ୍ରୀଜଗନ୍ନାଥ ନିର୍ଗୁଣ ଶ୍ରୀହରି

ନିତ୍ୟକୁ ଚିହ୍ନି ଭଜିଲେ ତେବେ ଯାଇ ତରି ।

ସର୍ବଦା ଯେହୁ ଥାଇଟି ତାକୁ ନିତ୍ୟ ବୋଲି

ଅନିତ୍ୟ ଯେ ଅଟେ ଶୁଣ ସେହୁ ରୂପ ଭାଳି ।

ବିଚାରିଲେ ସମସ୍ତଙ୍କ ଦେହ ଅଟେ ଏକ

କୀଟରୁ ବ୍ରହ୍ମ ପର୍ଯ୍ୟନ୍ତେ ଅଛନ୍ତି ହେ ଲୋକ ।

ଏ ଦୁର୍ଲ୍ଲଭ ଦେହ କ୍ଷଣଭଙ୍ଗୁର ହୁଅନ୍ତେ

ତେଣୁ ଯେ ଅନିତ୍ୟ ବୋଲି ଲେଖନ୍ତି ସମସ୍ତେ ।

ବିଷ୍ଣୁ ଅବତରି ଯେବେ ଧରନ୍ତିଟି ରୂପ

ସେହିରୂପେ ଗଲେ ହୁଏ ନିତ୍ୟେ ରାସକଳ୍ପ ।

ଭଜିଲେ ସେରୂପ ସର୍ବେ ନିତ୍ୟେ ରାସ ଯାଇ

ନିତ୍ୟରୁ ଜନ୍ମନ୍ତି ରାସ ପୁଣି ଦେହ ବହି ।

ନିତ୍ୟ ରାସକୁ ଚିହ୍ନିଲେ ନିତ୍ୟକୁ ଯେ ଜାଣି

ସେ ରାସମଣ୍ଡଳୁ କନ୍ୟା ପ୍ରଭୁ ଛନ୍ତି ଆଣି ।

ବଦ୍ରିକା ଧାମେ ନାୟିକା କରିଛନ୍ତି ହରି

ଦ୍ଵାପର ଯୁଗେ ହୋଇବେ ସେହୁ ଗୋପନାରୀ ।

ଏହି ବଦରିକା ଧାମେ କୈବଲ୍ୟ ଯେ କର।

ଶ୍ରୀବିଷ୍ଣୁ ପ୍ରସାଦ ଖାଇ ହେଲେ ଅଜ୍ରାମର ।

ଏ ରୂପେ ମଣୋହି କରି ପ୍ରଭୁ ଦେବରାଜେ

ଆଚମନ ସାରିକଲେ ପଲ୍ୟଙ୍କରେ ବିଜେ ।

ସେବିଲେ ଶ୍ରୀମହାଲକ୍ଷ୍ମୀ ଆସି ହୃଷୀକେଶ

ସେ ପାଦେ ଶରଣ ବିପ୍ର ପୀତାମ୍ବର ଦାସ ।

ଏଥିଉତ୍ତାରେ ନାଦର ମୁନି ତପୋଧନ

ବ୍ରହ୍ମାର ପାଦରେ ନମି କରନ୍ତି ଦର୍ଶନ ।

ବୋଲନ୍ତି କହ ଅସୁର ଏବେ ଯେତେ ମଲେ

କାଙ୍କୋଳା ଯେ ଶରଜିତ ଚନ୍ଦ୍ରମାଳୀ ତୁଲେ ।

ଏମାନେତ ମରିବାର ଜାଣିଲା କି ମୁର ।

ସେ କଥା କହ ଶୁଣିମା ଆହେ ବେଦବର ।

ନାରଦ ଯେ ପଚାରନ୍ତେ କହନ୍ତି ଚୌମଥା

ବୋଲନ୍ତି ହୋ ସାବଧାନେ ଶୁଣ ଦୈତ୍ୟକଥା ।

ପୁରାଣ ମହାର୍ଣ୍ଣବ ଏ ଅଟେ ମଧୁକୁଣ୍ଡ।

ଚତୁର୍ଥ ସାଗର ଏହି ଅଟେ ମୋକ୍ଷ ଦାଣ୍ଡ ।

ଶୁଣିବେ ବିପ୍ରାଦି ଚାରିବର୍ଣ୍ଣ ଯେବେ ଏହା

ଦେହଅନ୍ତେ ବୈକୁଣ୍ଠକୁ ନେବେ ଲକ୍ଷ୍ମୀନାହା ।

ଶୁଣିଲେ ଯେ ସ୍ତିରୀକୁଳ ହେବେ ପୁତ୍ରବତୀ

ଯଜ୍ଞ ପତ୍ନୀଙ୍କ ପରାୟେ ବୋଲାଇବେ ସତୀ ।

ଆବର ବ୍ରହ୍ମାଣ୍ଡେ ଯେତେ ଜାତି ଛନ୍ତି ପୁରି

ନୃସିଂହ ଗ୍ରନ୍ଥ ଶୁଣିଲେ ଯିବେ ନିଶ୍ଚେ ତରି ।

ଅସୁର ମରିବା କଥା କହିବା ଯେ ଶୁଣ

ରାଜାର ଆଗେ କହିଲେ ଆସି ଚାରଗଣ ।

ବନମଧ୍ୟେ ଲୁଚିଥିଲେ ଯେଉଁ ସବୁ ଚାରେ

ପ୍ରବେଶ ହେଲେ କନକାବତୀ ନଗରରେ ।

ସଭାର ମଧ୍ୟରେ ବସିଅଛି ମୃରାସୁର

ପୁତ୍ରଙ୍କର ଶୋକ ଚିନ୍ତା କରେ ଶତେଥର ।

ମନର ଆରମ୍ଭେ ମାତ୍ର କହେ କଥା କେତେ

ଏମନ୍ତ ବେଳେ ମିଳିଲେ ଆଗେ ଆସି ଦୂତେ ।

ମନ୍ତ୍ରୀ ବୋଇଲା ଭୋ ସ୍ଵାମୀ ଶୁଣ ନୃପବର

ବଦରିକା ନଗ୍ରୁ ଦୂତେ ଆସିଲେ ତୋହର ।

କାଙ୍କୋଳା ଗଳା କଥା ତ ଭଲ ଦିଶୁନାହିଁ

ଯୋଗିନୀ ମୁଖରେ ଗଲା ଯୁଦ୍ଧେ ସଜ ହୋଇ ।

ଭଙ୍ଗାଇ ରଖିବ ବୋଲି ଭାବିଥିଲି ହୃଦେ

ତୁମ୍ଭଙ୍କୁ ଭୟ କରିଣ ରହିଲି ବିଷାଦେ ।

ଦୂତେ ଆସିଲେଣି ବୁଝି ଏବେ ସେହିବାର୍ତ୍ତା

ଶୁଣିଣ ଅଧିକେ ରାଜା ମନେ କଲା ଚିନ୍ତା ।

ସୁବିଜ୍ଞ ମନ୍ତ୍ରୀ ଦୂତଙ୍କ ମୁଖ ପୁଣି ଚାହିଁ

ବୋଇଲା କହ ଶୁଣନ୍ତୁ ବାର୍ତ୍ତା ନୃପସାଇଁ ।

ଶୁଣି ଦୂତମାନେ ରାଜା ଛାମୁକୁ ଯେ ଗଲେ

ଦର୍ଶନ କରିଣ ପାଦେ ଆଗେ ଉଭା ହେଲେ ।

ମୁର ବୋଇଲା ଯେ ମୋର ଗଲେ ତିନିସେନା

ବଦ୍ରିକାପୁର କି ଜୟ କଲେ କହ କିନା ।

କେଡ଼େ ସମ୍ଭ୍ରମରେ ଯାଇ କି କଲେ ସେ ଥାଟ

ଦୂତ ବୋଇଲେ ଭୋ ଦେବ ଗଲା ସବୁ ନଷ୍ଟ ।

ସେନାପତିମୂଳେ ତୁମ୍ଭ ସୈନ୍ୟ ଯେତେ ଗଲେ

ଖବର ଆଣି ଦେବାକୁ କେହିନ ରହିଲେ ।

ଏକକୋଟି ମତ୍ତଗଜ ଅଶ୍ଵ ଯେ କୋଟିଏ

କୋଟିଏ ମଇଁଷି ଓଟ ଗଲେ ସବୁ କ୍ଷୟେ ।

ରକ୍ତନଦୀ ତିଳ ତାଳ ଉତ୍ସର୍ଗେ ବହିଲା

ଗଙ୍ଗାର ସଲିଳଯାକ ରକ୍ତମୟ ହେଲା ।

ପୃଥ୍ଵୀରେ ଯେ ମଡ଼ାକୁଢ଼ ହୋଇ ଗଲେ ଭାସି

ରକ୍ତନଦୀରେ ବୋଇତ ପ୍ରାୟ ମଡ଼ାଦିଶି ।

ନାଚନ୍ତି କୁକୁର କାଳ ଗୃଧ୍ର ସାରଗୁଣା

ଜମ୍ବୁକ ପିଶାଚ ଭୂତ ପ୍ରେତ ଅକଳଣା ।

ପର୍ବତ ଖୋଲରେ ଆମ୍ଭେ ଲୁଚିଥିଲୁ ଯାଇ

ଆସିଲେ ନୃସିଂହଗଣ ରଣମଦେ ଧାଇଁ ।

ପଛଭାଗରୁ ପିଟିଲେ ଧରି ଲୁହାବାଡ଼ି

ଆବର ଭୂଷଣ୍ଡୀ ଗଦାଘାତେ ଗଲେ ପଡ଼ି ।

ତୁମ୍ଭେ ତିନି ସେନାପତି ଦେଖି ତାହା ନେତ୍ରେ

ବିନ୍ଧିଲେ ଶର ନୃସିଂହ ଶେଷଦେବ ଗାତ୍ରେ ।

ଏ ରୂପେ ଅନେକ ଯୁଦ୍ଧ ତିନି ସେନା କଲେ

ଅକଳେ ବଲ୍ଲଭ ପୁତ୍ର ହାତେ ପ୍ରାଣ ଦେଲେ ।

ଏହା ଶୁଣି ମୃରାସୁର ପଡ଼ି ମୂର୍ଚ୍ଛାଗଲା

ଘଡ଼ିକେ ଚେତନା ପାଇ ବହୁଶୋକ କଲା ।

ବୋଇଲା ଆରେ କାଙ୍କୋଳା ଆରେ ଶରଜିତ

ଆରେ ଚନ୍ଦ୍ରମାଳି ଅନାୟାସେ ହେଲ ହତ ।

ଏଡ଼େ ବଡ଼ ରଥି ହୋଇ ବ୍ୟର୍ଥେ ମରିଗଲ

ବିପ୍ର ହସ୍ତେ ମରି ମାତ୍ର ସ୍ଵର୍ଗପ୍ରାପ୍ତ ହେଲ ।

ବିଜ୍ଞମନ୍ତ୍ରୀ ମୋହର ଯା କହିଲା ସେ ସତ୍ୟ

ଯୋଗିନୀ ମୁଖେ ଯାଇରେ ହେଲ ପ୍ରାଣେହତ ।

ଅକାଳ ମୃତ୍ୟୁରେ ମେଣ୍ଟି ନ ପାରିଲ କେହି

ମରରେ ବିପ୍ରଙ୍କ ହସ୍ତେ ଏଡ଼େ କ୍ଷତ୍ରୀହୋଇ ।

ଯାହାକୁ ଦେଖଇଲେ ଶତ୍ରୁ କମ୍ପେ ଥରହର

ମଲରେ ବିପ୍ରଙ୍କ ହାତେ ସେହି ତିନିବୀର ।

ପୁତ୍ରଙ୍କର ଶୋକ ସିନା ଲାଗୁଥିଲା ମୋତେ

ତୁମ୍ଭଙ୍କୁ ଏବେ ମୂର୍ଚ୍ଛି ମୁଁ ରହିବି କେମନ୍ତେ ।

ଏ ରୂପେ ହେବ ବୋଲି କି ଥିଲି ମୁହିଁ ଜାଣି

ବଲ୍ଲଭ ପୁତ୍ରଙ୍କୁ ଏବେ କେ ଦେବରେ ଆଣି ।

ମୋ ଆଗେ ପଡ଼ିଲେ ଯାହା କରନ୍ତି ମୁଁ ଧରି

କହିଲେ କିସ ହେବ ସେ କଥା ମନେ କରି ।

ଏ ରୂପେ ବୋଲି ସେ ରାଜା କରେ ଗୁରୁଶୋକ

ସଭାରେ ସବୁଙ୍କୁ ଚାହିଁ କାନ୍ଦଇ ଅନେକ ।

ଜଣ ଜଣକୁ ସେ ଚାହିଁ କାନ୍ଦେ ଉଚ୍ଚ କରି

ବୋଲଇ କେଡ଼େ ରଥି ମୋ ବ୍ୟର୍ଥେ ଗଲେ ମରି।

ଅଖଡ଼େ ମାଇଲା ମୋର ପୁତ୍ର ମହାବାହୁ

ଶ୍ରୀନୃସିଂହ ଶେଷ ମୋତେ ହେଲେ କାଳରାହୁ ।

ଖଡ଼ିକା ହରିଣ୍ୟକେଶୀ ଓ କୃତ କେଶୀର ଯୁଦ୍ଧକୁ ଗମନ ଓ ମୃତ୍ୟୁ

ରାଜାକ୍ରୋଧ ଦେଖି ଯେ ହିରଣ୍ୟକେଶୀ ବୀର

ଖଡ଼ିକା ଯେ କୃତକେଶୀ ଉଠି ଧାତିକାର ।

ବୋଇଲା କାଙ୍କୋଳା ଯୁଦ୍ଧ ନ ଜାଣଇ କିଛି

ସୈନ୍ୟ ଲୋଚାଏ ଅଖଡ଼େ ନେଇ ମରାଇଛି ।

ସୈନ୍ୟଙ୍କୁ ପାଖରେ ରଖି ସମର ଯେ କରେ

ସେ କ୍ଷତ୍ରୀ କେତେବେଳଏ ନ ମରେ ଅଖଡ଼ରେ।

ନ ଧରି ଲୋକବର୍ଗଙ୍କୁ ସମୁଳେ ମାରିଲା

କେଡ଼େ କ୍ଷତ୍ରୀ ହୋଇ ବିପ୍ରହସ୍ତେ ପ୍ରାଣଦେଲା ।

ଯୁଦ୍ଧର ଛନ୍ଦ ତର୍କ ଯେ ପ୍ରାଣୀ ବୁଝି ଜାଣେ

ସେ ସିନା ଜିଣି ଆସଇ ରଣେ କ୍ଷତ୍ରିପଣେ ।

ଆମ୍ଭେମାନେ କରିବୁ ଯେ ଗଲେ ନାନାଛନ୍ଦ

ସାଧି ଲୋପବିଦ୍ୟା ମାରିଦେବୁ ଆଦିକନ୍ଦ ।

ହୋଇଣ ସେ କୀଟ ପୋକ ପଶିବୁ ତା ପୁରେ

ଚାଳେ ବାଡ଼େ ଲୁଚି ହରିଥିବୁ ଦିବସରେ ।

ନିଶାରେ ଶୁଅନ୍ତେ ନିଶବଦେ ବେନିଭାଇ

ମାଡ଼ି ବସିଣ ଝୁଣିବୁ ତାଙ୍କ ତୋଟି ଯାଇ ।

ଆବର ସେ ନଗ୍ରଯାକ ଥିବେ ଯେତେ ଲୋକ

ସବୁଙ୍କୁ ଯେ ଗିଳିଦେବୁ ହୋଇ ଡିଆଁ ପୋକ ।

ଏଥକୁ ଶୋକ ନ କର ରାଜା କଦାଚିତେ

ତୁ ଜୀଇଁଥିଲେ ଜନ୍ମିବେ ପୁତ୍ର ନାତି କେତେ ।

ଗର୍ଭରୁ ଜନ୍ମିଲେ ମଲାସରି ଭାବ ଚିତ୍ତେ

ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସହିତେ ।

ଜନ୍ମ ନୋହୁଣ ଅମର ପ୍ରାଣୀ ହୋଇଥାଇ

ଜନ୍ମ ହୋଇଲେ ସେ ମୁତ୍ୟ ଦେହ ନ ଛାଡ଼ଇ ।

ଗର୍ଭରୁ ଜନ୍ମ ହୋଇଣ କେହୁ ଅବା ମରେ

କେହୁ ଅବା ମରଇଟି ଶଅକ ଭିତରେ ।

ସଂସାରେ ଚିର ହୋଇ କେ ଜାଣ ରହିଲାଣି

ଭୁଞ୍ଜିଲା ଗ୍ରାସ ଖାଇ ନ ପାରେ ଦେହ ଘେନି ।

ଘଡ଼ିକ ମଧ୍ୟରେ ଆସି ଘୋଟି ନାନାଭୋଗ

କେ ଚିରି ହୋଇ କଲାଣି ରହି କେତେଭୋଗ ।

ଏଥକୁ ଚିନ୍ତା କିଛି ନ କର ରାଜା ତୁହି

ଯାଉଛୁ ମାରି ଆସିବୁ ଆମ୍ଭେ ଭାବଗ୍ରାହୀ ।

ଆମ୍ଭେ ବାହୁଡ଼ିଲେ ତୁହି ପଛେ ଯୁଝି ଯାଅ

ମନକୁ ଆସଇ ଯାହା ବିଚାରି ତା କହ ।

ଶୁଣି ସେହି ମୃରାସୁର ରହେ ହୋଇ ତୁନି

କହିଲେ ରାଜା ଆସ୍ୟକୁ ଚାହିଁ ଶୁକ୍ରମୁନି ।

ବୋଇଲେ ଛାମୁରେ ରଥି ତୁମ୍ଭପ୍ରାୟେ ଥାଉଁ

ଯାଅ ଯା ବୋଲିଣ ଆଜ୍ଞା କିମ୍ପାଇ ନ ଦେଉ ।

ଯାହାର ଯେ ଭାତଖାଇ ସେ ତା ହିତେ ଥାଇ

ଏହା ନ କଲେ ତାହାକୁ ପୃଥ୍ଵୀ ନ ସହଇ ।

ରାଜା କାନ୍ଦୁଅଛି ଶୋକ ସନ୍ତାପରେ ବସି

ଯାଅ ଯାଅ ଯୁଦ୍ଧ କର ତିନିସେନା ମିଶି ।

ଶୁଣିଣ ବୋଇଲା ମୃରାସୁର ଆଛା ଆଛା

ଶୁକ୍ରକୁ ନ ମାଇଲେ ନ ହୁଏ ମୋର ରକ୍ଷା ।

ବଲ୍ଲଭ ପୁତ୍ରଙ୍କୁ ରଣେ ଆସିବ ଯେ ହାଣି

ତାହାକୁ କରିବି ମୋର ରାଜ୍ୟ ଶିରୋମଣି ।

ଶୁଣି ସେ ତିନିବୀରେ ଚଳିଲେ ତତକ୍ଷଣ

ଖଡ଼ିକା ହିରଣ୍ୟକେଶୀ କୃତକେଶୀ ଜାଣ ।

ନିଶାରେ ଚଳିଲେ ଏକା ହୋଇ ତିନିବୀର

ଶୂନ୍ୟରେ ସେ ଗଲେ ଗମି ବଦରିକା ପୁର ।

ବତାସ ପରାୟ ଗଲେ ଗଗନେ ସେ ଉଡ଼ି

ରହିଲେ ଆନନ୍ଦବନେ ଯାଇ ବସା ପାଡ଼ି ।

ନୃସିଂହଙ୍କ ଉପବନ ଦେଖି କଉଣପେ

ଅପୂର୍ବ ମଣି କରନ୍ତି ଧ୍ୟାନ ଆପେ ଆପେ ।

ବୋଲନ୍ତି ବଦ୍ରିକାଧାମ ଅଟେ କେଡ଼େ ସ୍ଥାନ

ସ୍ଵର୍ଗରୁ ଏ ଶତେଗୁଣ ଅଟେ ଶୋଭାବନ ।

ସହସ୍ରେକ ଯୁଣ ଯାଏ ଅଟେ ତୋଟା ବେଢ଼

କେତେ ଫଳ ପାଚି ପଡ଼ିଅଛି ହୋଇ କୁଢ଼ ।

ଏ ରୂପେ ଦୈତ୍ୟ ପାଚିଲା ଫଳ ନେତ୍ରେ ଦେଖି

ଭୁଞ୍ଜିଲେ ତୋଷ ହୋଇଣ ମନେ ହୋଇ ସୁଖୀ।

ଦେଖିଲେ ରୁଧିର ନଦୀ ବହଇ ବନରେ

ଭକ୍ଷନ୍ତି ଯୋଗିନୀଗଣେ ବସି ନଦୀତୀରେ ।

ତାହା ଦେଖି ଚମତ୍କାର ହେଲେ ଦୈତ୍ୟବୀରେ

ଅସ୍ଥି ଚର୍ମ କୁଢ଼ କୁଢ଼ ପଡ଼ିଛି ଭୂମିରେ ।

ବୋଇଲେ ମାଇଲେ କେଡ଼େ ମାଡ଼ ବିପ୍ରବେନି

ଏ ବିପ୍ରଙ୍କ ପ୍ରାୟେ କ୍ଷତ୍ରୀ ନାହିଁ ପୁର ତିନି ।

ବ୍ରାହ୍ମଣ ବୋଲି ବିଚାରୁ ଥାଉଁ ଆମ୍ଭେ ମାନେ

ଅଟନ୍ତି ଏ କ୍ଷତ୍ରିଠାରୁ ବଳି ତ୍ରିଭୁବନେ ।

ଏହାଙ୍କୁ ମାରି ଅର୍ଜିବା ଆମ୍ଭେ କେତେ ଯଶ

ନୋହିଲେ ମଲେ ଲଭିବା ଜାଣ ସ୍ଵର୍ଗବାସ ।

ଏ ରୂପେ ପାଞ୍ଚି ରହିଲେ ଲୁଚି ତିନିଦୈତ୍ୟେ

ବିଷ୍ଣୁଙ୍କୁ ମାରିବେ ବୋଲି ଚିନ୍ତା ହୃଦଗତେ ।

ଏ ରୂପେ ରହିଲେ ବନମଧ୍ୟେ ବୁଡ଼ପାଡି।

ଶୁଣ ହେ ନାରଦ ଋଷି ଏ ଗ୍ରନ୍ଥର ଧାଡ଼ି ।

ଅସୁର ଆସିବା ଜାଣିପାରି ଭାବଗ୍ରାହୀ

ଛାମୁକୁ ବେଗେ ଆସିଲେ ଗରୁଡ଼କୁ ରାଇ ।

ବୋଇଲେ ଗରୁଡ଼ ଶୁଣ ଏ ବିପଦ ବାଣୀ

ଆନନ୍ଦବନକୁ ଦୈତ୍ୟ ଆସିଲେ ଏକ୍ଷଣି ।

କାହାରିକୁ ଜଣାନାହିଁ ବନେ ଛନ୍ତି ପଶି

ଦେଖଇବା ବୁଲି ଚାଲି କି ମାର୍ଗେ ଛନ୍ତି ଆସି ।

ଗରୁଡ଼ ବୋଲେ ବସି ଚିଟା ହେଉଥିଲି

ଶ୍ରୀଆଜ୍ଞା ହେଲା ଆସିବା ଚାଲ ତେବେ ବୁଲି ।

ଶୁଣିଣ ମନେ ବହୁତ ଶ୍ରଦ୍ଧା ପ୍ରଭୁ କଲେ

ସୁବେଶ ହୋଇ ଗରୁଡ଼ ପୃଷ୍ଠେ ବିଜେକଲେ ।

ଶିରେ ପୁଷ୍ପ ଗଭା କର୍ଣ୍ଣେ କୁଣ୍ଡଳକୁ ଖଞ୍ଜି

ଭାଲେ ଶ୍ରୀକସ୍ତୁରୀ ଚିତା ଦିଶେ ମନ ଗଞ୍ଜି ।

କଟୀରେ ପୀତ ବସନ ହୃଦେ କଉସ୍ତୁଭ

ଶ୍ରୀବତ୍ସ ମହିମା ଚିହ୍ନି ଦିଶଇ ଅପୂର୍ବ ।

ନୃସିଂହଙ୍କ ହୃଦପଦ୍ମେ ଲମ୍ବେ ବନମାଳା

ଆଦିତ୍ୟ ଚନ୍ଦ୍ରମା ପ୍ରାୟେ ଦିଶେ ବେନି ଡୋଳା ।

ଶଙ୍ଖ ଚକ୍ର ଗଦା ପଦ୍ମେ ସୁଶୋଭିତ କର

ଚାରି ସମ୍ପ୍ରଦାଙ୍କ ଚାରିକର ମୋକ୍ଷଦ୍ଵାର ।

ଜାଜ୍ଵାଲ୍ୟମାନ ଯେ ଜ୍ୟୋତି ଧରି ଦେବରାଜେ

ପ୍ରାଣୀକି ଯେ ମୋକ୍ଷକରି ଶତ୍ରୁଦର୍ପ ଗଞ୍ଜେ ।

ଲକ୍ଷଣ ଲକ୍ଷେ ଧରି ଶ୍ରୀ ହୃଦପଦ୍ମେ ଶିରୀ

ଜ୍ୟୋତିର ପ୍ରଭା ପ୍ରକାଶି ଛନ୍ତି ବିଜେ କରି ।

ଭକ୍ତକୁ ଦିଶଇ ଏକା ଆନେ ନ ଦିଶଇ

ଶେଷଦେବଙ୍କର ଜ୍ୟୋତି କେ ପାରିବ କହି ।

ସପ୍ତଫେଣାରେ ବ୍ରହ୍ମାଣ୍ଡ ସପ୍ତ ଆଶ୍ଵାସନ୍ତି

ପଶୁ ଏ ପୁତ୍ର ପ୍ରସବି ଯେହ୍ନେ ଲେହୁଥାନ୍ତି ।

ଭୂମିରେ ପଡ଼ିଲାମାତ୍ରେ କରି ଆଶ୍ଵାସନା

ଜିହ୍ଵାରେ ଲେହି କରନ୍ତି ଦେହ ସଂସ୍ଥାପନା ।

ସେହି ପ୍ରକାରେ ଏ ଶେଷଦେବ ନବସୃଷ୍ଟି

ଅମୃତ ଜିହ୍ଵାକୁ ସର୍ଜି ତହିଁ ପାଳନ୍ତିଟି ।

ଅପ୍ୟାନ କରନ୍ତି ତୋଷି ଆତ୍ମା ପୁରୁଷକୁ

ପାଳନ କରୁଅଛନ୍ତି ଜୀବ ବର୍ତ୍ତିବାକୁ ।

ଏମନ୍ତ ମହିମା ଅଟେ ସେ ଅନନ୍ତବାସୀ

ଶ୍ରୀନୃସିଂହ ଆଜ୍ଞା କଲେ ଖଗେ ବସ ଆସି ।

ଭାଇଙ୍କି ସଙ୍ଗରେ ଘେନି ପ୍ରଭୁ ଭାବଗ୍ରାହୀ

ଗରୁଡ଼ ଉପରେ ବସି ମିଳିଲେକ ଯାଇ ।

ଆନନ୍ଦବନେ ଦଇତ୍ୟ ରହିଛନ୍ତି ଲୁଚି

ଆମ୍ଭଙ୍କୁ ଗୁପ୍ତେ ମାରିବେ ବୋଲି ମନେ ପାଞ୍ଚି ।

ତାହାଙ୍କୁ ମାରିଣ ଦେଇ ଆସିବାକ ଚଳି

ଏ ରୂପେ ପାଞ୍ଚି ବୋଲନ୍ତି ବନେ ବନମାଳୀ ।

ଚଳନ୍ତି ଗଛକୁ ଗଛ ଦେଖି ଶିରୀବତ୍ସି

ଅସୁରେ ଲୁଚି ଅଛନ୍ତି ହୋଇ କୀଟ ମାଛି ।

ପାଞ୍ଚନ୍ତି ବେନି ଭାଇଙ୍କି ଦେଖି ମନେ ଦୈତ୍ୟେ

ବୋଲନ୍ତି ଏପରା କୃଷ୍ଣବଲ୍ଲଭର ସୁତେ ।

ନିଶାରେ ଆଜି ହୋଇବେ ଏହୁ ପ୍ରାଣେ ନାଶ

ମଲେ ଏ ରାଜାର ଶତ୍ରୁ ଯିବ ହୋଇ ତୋଷ ।

ଏ ରୂପେ ପାଞ୍ଚନ୍ତେ ତିନି ସେନା ମନେ ଗୁଣି

ଜାଣିଲେ ତାହାଙ୍କ ମନ କଥା ଚକ୍ରପାଣି ।

ମନରେ ହସି ବୁଲିଲେ ତୋଟା ଯାକ ଫେରି

ମଧ୍ୟାହ୍ନ କାଳେ ନବରେ ଆସି ବିଜେ କରି ।

ପ୍ରସାଦ ଖଞ୍ଜା କରିଣ ଖଗବରେ ଦେଇ

ଭୋଜନ ମଣୋହି ପୂଜା ସାରି ବେନିଭାଇ ।

ସେ ଦିନ ଜାଣି ବାହାର ମଣ୍ଡପକୁ ଗଲେ

ଗୁପତେ ସେ ଅସୁରକୁ ମାରିବି ପାଞ୍ଚିଲେ ।

ହୋଇଛି ଗ୍ରୀଷମ କାଳ ଏଣେ ପରବେଶ

ପଦାରେ ବସିବେ ଶଯ୍ୟା କରି ହୃଷୀକେଶ ।

ଉପର ମଣ୍ଡନ ଚନ୍ଦ୍ରାତପ ଅଛି ହୋଇ

ମାଣିକ୍ୟ ମୁକତା ହୀରା ନୀଳା ବିରାଜଇ ।

ନଗ୍ରର ଐଶାନ୍ୟ କୋଣେ ମଣ୍ଡପ ନିର୍ମଳ

ଶୁତିଲେ ଦୈତ୍ୟଙ୍କୁ ମାରିବାକୁ ଆଦିମୂଳ ।

ପ୍ରଭୁଙ୍କୁ ଜଗି ରହିଲେ ତହିଁ ସଖାଗଣ

ବିଜେ କଲେ ନିଦ୍ରାବତୀ ସବୁନେତ୍ରେ ପୁଣ ।

ଠକାରରେ ନିଦ୍ରା ତହିଁ ଗଲେ ପଦ୍ମ ଆଖି

ପାଖେ ଗଦା ଚକ୍ର ପ୍ରଭୁ ଅଛନ୍ତି ଯେ ରଖି ।

ଶେଷଦେବ ଯେ ବାବଲ ଶର ଗୋଟି ଆଣି

ଶଯ୍ୟାର ପାଶରେ ଥୋଇଛନ୍ତି ସପ୍ତଫେଣି ।

ଏମନ୍ତ ଆସି ହୁଅନ୍ତେ ରାତ୍ର ନବଘଡ଼ି

ଥିଲେ ଯେ ଦୈତ୍ୟ ତିନି ବନେ ବୁଡ଼ି ପାଡ଼ି ।

ଖଡ଼ିକା ଦୈତ୍ୟ ହିରଣ୍ୟକେଶୀ କୃତକେଶୀ

ପଶିଲେ ସେ ମଶାରୂପେ ନଗ୍ରେ ଉଡ଼ିଆସି ।

ପାଚେରୀ ବଦିକ୍ରାପୁରେ ଆସି ପ୍ରବେଶିଲେ

ଈଶନ ମଣ୍ଡପେ ଯାଇ ବିଷ୍ଣୁଙ୍କୁ ଦେଖିଲେ ।

ମଣ୍ଡପର ଥୋର ହସ୍ତେ ବସି ମଶା ରୂପେ

ବଲ୍ଲଭ ପୁତ୍ରଙ୍କୁ ଦେଖି ବସିଲେ କୌଣପେ ।

କପଚରେ ନିଦ୍ରାଯାଇଛନ୍ତି ବେନିଭାଇ

ସମସ୍ତେ ତ ନିଶବଦେ ଛନ୍ତି ନିଦ୍ରା ଯାଇ ।

ଘୁଙ୍ଗୁଡ଼ି ମାରନ୍ତେ ସଭାଲୋକ ଘନ ଘନ

ଶଯ୍ୟାର ପାଶେ ବସିଲେ ଯାଇ ଯାତୁଧାନ ।

ନିଶ ମୋଡ଼ି ନେତ୍ର ଦୁଇ ଅନ୍ତରାଳ କରି

ଉଠିଲେ ସେ ବାହୁତଳେ ବଦନ ବିସ୍ତାରି ।

ବସିଲା ଖଡ଼ିକାସୁର ମାନି ଅନନ୍ତଙ୍କୁ

ଧଇଲେ ହିରଣ୍ୟ କୃତକେଶୀ ନୃସିଂହଙ୍କୁ ।

ଜାଣିଣ ତା ମହାପ୍ରଭୁ ଉଠି ଅନ୍ତରାଳେ

ବସିଲେ ବେନି ଦୈତ୍ୟଙ୍କୁ ମାଡ଼ି ପାଦତଳେ ।

ଶୂକରୀକି ଧରି ଯେହ୍ନେ ବାନ୍ଧଇ ଶୂକର

ଭୂମିରେ ଶିରି ପାଦ ନ ଲାଗେ ଯେହ୍ନେ ସଞ୍ଚ ।

ବଦ୍ରିକା ଉତ୍ତରଭାଗେ ଅଛି ମେରୁଗିରି

ସେଠାବକୁ ବୋଲି ଫିଙ୍ଗି ଦେଲେ ଦଇତ୍ୟାରି ।

ଶୋଣିତ ଯେ ଝର ଝର ବହେ ନବଦ୍ଵାରେ

ଜଳଧାରା ପ୍ରାୟ ଖସି ପଡ଼ଲେ ଭୂମିରେ ।

ପୁଣି ତାଙ୍କ ପାଦ ଧରି ବୁଲାଇ ଦୁହିଁଙ୍କି

ଛାଡ଼ି ଦେଲେ ଚକ୍ରପ୍ରାୟ ଶୂନ୍ୟମାର୍ଗେ ଟେକି ।

ଶୂନ୍ୟରୁ ପଡ଼ିଲେ ବଜ୍ରପ୍ରାୟ ଦୈତ୍ୟ ଆସି

ପୃଥ୍ଵୀ ଶତେକାଳ ଗଲା ପାତାଳକୁ ପଶି ।

ପୁଣି ହିଁ ସେ ଅସୁରକୁ ଧରି ନାରାୟଣ

କୌମୋଦକୀ ଗଦାବର ପିଟିଲେ ଶିରେଣ ।

ନିଶ୍ଚେଷ୍ଟେପଡ଼ିଦଇତ୍ୟେ ହେଲେ ପ୍ରାଣେହତ

ଏଥି ଉତ୍ତାରୁ ଯେ ପୁଣ ଖଡ଼ିକା ଦଇତ୍ୟ ।

ଅନନ୍ତ ମୂରତିକି ସେ କରେ ଧରୁଁ ଜାକି

ଉଠିଲେ ଶେଷଦେବ ସପ୍ତଫଣା ଟେକି ।

ରେ ରେ କାର ହୃଦେ ବସିଲେକ ମାଡ଼ି

କଟିରେ ଯେ ବାମ ଆଣ୍ଠୁ ହସ୍ତେ ତୋଟି ଭିଡ଼ି ।

ବୁଲାଇ କରନ୍ତେ ସପ୍ତଜିହ୍ଵା ଲହ ଲହ

ଦିଶିଲା ସୂର୍ଯ୍ୟର ପ୍ରାୟ ଜ୍ୟୋତି ଫୁଟି ଦେହ ।

ଦକ୍ଷିଣ ହସ୍ତରେ ପୁଣି ଚକ୍ର ଶକ୍ତି ଧରି

ପିଟିଲେ ନିର୍ଘାତ ପ୍ରାୟ ଟେକି କୋପ କରି ।

ସହସ୍ରେକ ହାତଯାଏ ପୃଥ୍ଵୀ ଗଲା ପଶି

ବେଗେ ଦୈତ୍ୟ ଉଠିଣ ଯେ ତହୁଁ ହସି ହସି ।

ଦେଖିଣ ଧିଇଲେ ଶେଷଦେବ ବଜ୍ର ପୁଣି

ଦୈତ୍ୟର ମୁଣ୍ଡେ ପିଟିଲେ କୋପ ସପ୍ତଫେଣୀ ।

ତତ୍‌କ୍ଷଣେ ମୁଣ୍ଡ ଫାଟି ମଲା ଦୈତ୍ୟବୀର

ଶୂନ୍ୟରେ ଥାଇଣ ଦେବେ ବିଞ୍ଚନ୍ତି କର୍ପୂର ।

ବୋଲନ୍ତି ନୃସିଂହ ଧନ୍ୟ ଧନ୍ୟ ଶେଷଦେବ

ତୁମ୍ଭ ମହିମା କହି ନ ପାରେ ବ୍ରହ୍ମା ଶିବ ।

ଏକଇ ବ୍ରହ୍ମ ଯେ ଅଟ ତୁମ୍ଭେ ବେନିଭାଇ

ନୃସିଂହ ବଡ଼ ଅନନ୍ତ ସାନ ଯେ ଅଟଇ ।

ସତ୍ୟ ତ୍ରେତା ବୋଲି ଜାଣ ଯେଉଁ ଦୁଇ ଯୁଗ

ସେ ଯୁଗରେ ବଡ଼ଭାଇ ଅଟନ୍ତି ନୃସିଂହ ।

ଏ ନୃସିଂହ ଅବତାର ଉତ୍ତାରେ ସେ ଯାଇ

ଶ୍ରୀରାମ ଲକ୍ଷ୍ମଣ ବୋଲି ହେବେ ଦୁଇଭାଇ ।

ଏ ଦୁଇ ଯୁଗରେ ବଡ଼ ନୃସିଂହଟି ଜାଣ

ପୂର୍ବରୁ ସଞ୍ଚି ଅଛନ୍ତି ଏହା ନାରାୟଣ ।

ଏହି ଲକ୍ଷ୍ମଣ ଦ୍ଵାପର ଯୁଗେ ପୁଣି ଯାଇ

ବଳଭଦ୍ର ରୂପେ ଜନ୍ମ ହେବେ ବଡ଼ଭାଇ ।

ଶ୍ରୀ ଜଗନ୍ନାଥ ଭିଆଣ ଅଟେ ଏ ପ୍ରମାଣ

ସାନକୁ ସେ ବଡ଼ କରେ ବଡ଼ କରେ ସାନ ।

ସାନହିଁ ସେ ଏକା ଜାଣ ବଡ଼ହିଁ ସେ ଏକ

ନ ଜାଣିପାରି କରନ୍ତି ଭିନ୍ନ ଅବିବେକ ।

ଏ ରୂପ କହି କରନ୍ତି ଦେବେ ଧନ୍ୟ ଧନ୍ୟ

ଉଠିଲେକ ନିଦ୍ରା ତେଜି ବଦରିକା ଜନ ।

ଚାହାଁନ୍ତି ବାଳୁତ ଜନ ପ୍ରାୟ ବସି ଥୋକେ

ଦାନବ ରୂପ ପାଞ୍ଚନ୍ତି ବସି ଏକେ ଏକେ ।

କେବୋଲେ ପାଷାଣକି କେବୋଲେ ମହାଦାରୁ

କେବୋଲେ ଦିଶନ୍ତି ପରପଞ୍ଚ ଖଣ୍ଡେଦୂରୁ ।

କବୋଲେ ଏଡ଼େ ନଗ୍ରେ କି ରୂପେ ଦୈତ୍ୟ ଆସି

ଅଖଡ଼େ ଏ ମଲା ଦେଖ ବିଷ୍ଣୁଘରେ ପଶି ।

ଅଧର୍ମ ଲୋକ ନ ଜାଣି ଅଳ୍ପେ ନାଶ ଯାନ୍ତି

ବୟସ ମତ୍ତଗର୍ବରେ ହେଜି ନ ପାରନ୍ତି ।

କେ ବୋଲେ ହୃଦରେ ମୋର ଥିଲାହେଲାଚେତା

ଶେଷକୁ ମାଡ଼ି ପଡ଼ିଲା ଦଇତ୍ୟ ପ୍ରମତ୍ତ ।

ହୁଙ୍କାରି ଧରିଲେ ତାକୁ ଶେଷଦେବ ଉଠି

ବଜ୍ର ଶକତିଏ ଧରି ମୁଣ୍ଡେ ଦେଲେ ପିଟି ।

ପଡ଼ିଛି ଉତ୍ତାନଶାୟୀ ହୋଇ ଦୈତ୍ୟ ଦେଖ

ମନ୍ଦର ଗିରିର ପ୍ରାୟ ପଡ଼ିଛି ତା ମୁଖୁ ।

ରୁଧିର ବହୁଛି ଟୋପି ଟୋପି ନାସା କର୍ଣ୍ଣେ

ଉବୁରା ଉବୁରି ହୋଇ ଆସି ବେନିଜନେ ।

କେ ବୋଲଇ କାହିଁ ଗଲେ ପ୍ରଭୁ ଭାବଗ୍ରାହୀ

ଅଛନ୍ତି ସେଠାରେ ଏକା ଶେଷଦେବ ରହି ।

ଏ ରୂପେ ବୋଲି ଧାଇଁଲେ ତହୁଁ ଉଦବେଗ

କହିଲେ ସବୁ ବଲ୍ଲଭ ରାଜାଙ୍କର ଆଗେ ।

ବୋଇଲେ ଦୈତ୍ୟ କେ ମରି ପଡ଼ିଅଛି ଦାଣ୍ଡେ

ଦେଖିଲେ ଶେଷ ଅଛନ୍ତି ଏକ ଗ୍ରାମମୁଣ୍ଡେ ।

ନାହାନ୍ତି ତ ତହିଁ ଏକା ଶ୍ରୀନୃସିଂହ ପ୍ରଭୁ

ଛାମୁକୁ କହିବା ପାଇଁ ଆସିଲୁ ଏସବୁ ।

ଶୁଣିଣ ଶଯ୍ୟାରୁ ରାଜା ଉଠିଲେ ବିକଳେ

ଦାଣ୍ଡକୁ ବୋଲି ଧାଇଁଲେ ହୋଇ ଅସମ୍ଭାଳେ ।

ଶ୍ରୀନୃସିଂହ କାହିଁ ବୋଲି ଲୋଡ଼ନ୍ତି ଚୌକତି

ଶେଷଦେବଙ୍କୁ ଦେଖିଣ ତୋଷ କଲେ ମତି ।

ଏଥି ଉତ୍ତାରେ ନୃସିଂହ ପ୍ରଭୁ ଭାବଗ୍ରାହୀ

ମେରୁ ପର୍ବତରୁ ବିଜେ କଲେ ଶ୍ରୀଘ୍ର ହୋଇ ।

ଅସୁର ବେନିଙ୍କୁ ନେଇ ପର୍ବତେ କଚାଡ଼ି

ଶରୀରେ ଶୋଣିତ ଟୋପି ଟୋପି ଛନ୍ତି ପଡ଼ି ।

ଆସନ୍ତେ ଶ୍ରୀଘ୍ର ଯେ ଧାଇଁ ଭାଇ ତହିଁ ମନ

ମନେ ପାଞ୍ଚିଲେ ନ ପୁଣ ମଲା ଯାତୁଧାନ ।

ସଭାର ମଧ୍ୟେ ହୁଅନ୍ତେ ଆସି ପରବେଶ

ଦେଖିଲେ ପିତାଙ୍କ କୋଳେ ବସିଛନ୍ତି ଶେଷ ।

ନୃସିଂହକୁ ଦେଖି କୃଷ୍ଣବଲ୍ଲଭ ବିରାଜେ

ବୋଲନ୍ତି ଯେ ଏତେ ରାତ୍ରେ ଗଲ କି କି କାର୍ଯ୍ୟେ।

ନିଃଶ୍ଵାସ ଯେ ଖରତର ରୁଧିର ଲେପନ

କହିଲେ ଶୁଣିବୁ ଆଗ ଆମ୍ଭେ ସୁବଚନ ।

ନୃସିଂହ ବୋଇଲେ ତାତ ଶୁଣ କଥା ଯେତେ

କନକାବତୀ ପୁରକୁ ଆସି ତିନି ଦୈତ୍ୟେ ।

ଶେଷଦେବଙ୍କୁ ବସିଲା ଜଣେ ଅଣ୍ଟେ ମାଡ଼ି

ଆର ବେନି ଦୈତ୍ୟ ମୋତେ ଧଇଲେକ ଭିଡ଼ି ।

ସେ ବେନିଦୈତ୍ୟଙ୍କୁ ଧରି ଟାଣି ଶୂନ୍ୟେ ନେଲି

ମେରୁ ପର୍ବତ ଉପରେ ଛେଚି ମାରି ଦେଲି ।

କେବଳ ସେଠାରେ ଚଇତନ୍ୟ ରହିଅଛି

ତେଣୁ ଆସିଲି ଶୀଘ୍ର ନ ପାରି ମନୁ ମୁର୍ଚ୍ଛି ।

ଦେଖିଲି ଦାଣ୍ଡେ ପଡ଼ିଛି ଅସୁରର ଶବ

ଏ କଥାକୁ ଶଙ୍କା କିଛି ନ କର ହେ ଦେବ ।

ଆଜହୁଁ ମୁରକୁ ଯେ ନ କର କେହି ଭୟେ

ଶ୍ରୀ ନୃସିଂହ ଥିବା ସ୍ଥାନ ପର୍ବତ ଯେ ହୁଏ ।

ଶ୍ରୀ ନୃସିଂହ ପ୍ରଭୁ ଜାଣ ଯେଉଁ ନଗ୍ରେ ଥାନ୍ତି

ସେ ନଗ୍ରଲୋକଙ୍କୁ ଯେ ନ ଲାଗେ ଭୟଭୀତି ।

ତୁମ୍ଭଙ୍କୁ ଆମ୍ଭେ ଥାନ୍ତେ କି ଅଛି ଅପଚୟେ

ଆବର ଏ କେତେ ଦୈତ୍ୟ ମାରିବି ଏଠାଏ ।

ରାତ୍ର ପାହିଲେ ଏ ମଡ଼ା ଦେବା ଫୋପଡ଼ାଇ

ଏଥର ଯେ ଦେହପାଣି ହେବା ବେନି ଭାଇ ।

ଶୁଣିଣ ଛାଡିଲେ ନଗ୍ରଲୋକ ମନୁ ଭୟ

ବୋଇଲେ ନସିଂହ ସବୁ କରିବେ ଯେ ଜୟ ।

ରିଷ୍ଟ ଶାନ୍ତି ଅର୍ଥେ କୃଷ୍ଣବଲ୍ଲଭ ଯେ ରାଜା

ଅନେକ ଯେ ଦାନ ଦେଇ ବିପ୍ରେ କଲେପୂଜା ।

ଈଶ୍ଵର ଶ୍ରୀବିଷ୍ଣୁ ଆଳ ଦେବଆଳ ଯେତେ

ଉପନମାନ ଯେ ବାଢ଼ି ଦେଲେ ନାନାମତେ ।

ଶୀତଳ ଦ୍ରବ୍ୟ ଦେଇଣ କଲେ ଦେବୀ ପୂଜା

ସବୁଙ୍କୁ ସନ୍ତୋଷ କଲେ ସେ ବଲ୍ଲଭ ରାଜା ।

ଶୁଣିଣ ନୃସିଂହ ମାତା ହୋଇଲେ ସନ୍ତୋଷ

ବୋଇଲେ ମୋର ପୁତ୍ରକୁ ରଖ ଜଗଦୀଶ ।

ବୁଝିଲେ ଯେ ରାତ୍ର ଅଛି ଆଉ ସପ୍ତଘଡ଼ି

ଯେ ଯାହା ମନ୍ଦିରେ ଚାଲ ଶୁତିବା ବାହୁଡ଼ି ।

ଏ ରୂପେ ବୋଲି ଗୃହକୁ ମାଏ ଗଲେ ଚଳି

ଲକ୍ଷ୍ମୀଙ୍କ ମନ୍ଦିରେ ଯାଇ ନୃସିଂହ ଯେ ମିଳି ।

ଈଳାଠାକୁରାଣୀ ପାଶେ ବିଜେ ଶେଷଦେବ

ମାତା ପିତା ସହ ନିଦ୍ରାଗଲେ ଯେଝାଠାବ ।

ପ୍ରଭାତରୁ ଉଠି ପ୍ରଭୁ ସ୍ନାନ ସନ୍ଧ୍ୟା ସାରି

ବସିଲେକ ଆସି ସଭାମଧ୍ୟେ ବିଜେକରି ।

ଅସୁର ମଡ଼ାକୁ ଝିଙ୍କି ନେଲେ ପାପୀଜନେ

ସିଞ୍ଚିଲେ ଯେ ଚତୁଃସମ ମେଢ଼ ଚାରିଥାନେ ।

ବିଞ୍ଚିଲେ କର୍ପୂରଗୁଣ୍ଡ ବଦରିକା ଦାଣ୍ଡେ

ପକାନ୍ତି ଯେ ହୁଳହୁଳି କାମିନୀଏ ତୁଣ୍ଡେ ।

ଆନନ୍ଦେ ନଗର ହେରି ଗଲେ ମହାପ୍ରଭୁ

ଚୌଷଠି ସହସ୍ର କନ୍ୟା ମିଳି ଆସି ସବୁ ।

ନିତ୍ୟସ୍ଥଳୀ ନାୟିକା ସେ ଅଟନ୍ତି ସ୍ତ୍ରୀଗଣ

କରନ୍ତି ନୃସିଂହ ବଦ୍ରିକାରେ ବେହରଣ ।

ଅଷ୍ଟପ୍ରହରରେ ଅଷ୍ଟ ସଖି ସେବା କରି

ନୃସିଂହଙ୍କ ରାସେ ହୋଇଥାନ୍ତି ପଢ଼ିହାରୀ ।

ନାୟିକାଗଣଙ୍କ ମଧ୍ୟେ ଶ୍ରୀନୃସିଂହ ବିଜେ

ଲାଗନ୍ତି ସର୍ବେ ନୃସିଂହ ଦେବ ସେବା କାର୍ଯ୍ୟେ ।

ଚାଲନ୍ତି ଆଗ ପଛରେ ହୁଳହୁଳି ଦେଇ

ବିଭା ମଣ୍ଡଳ ଗୁଜରୀ ନାଦେ ଗୀତ ଗାଇ ।

କେବଣ ନାଗରୀ ମଧୁକେରୀ ବାଣୀ ଟେକେ

ନୃସିଂହକୁ ଦେଖି ଭୋଳ ହୋନ୍ତି ଏକୁ ଏକେ ।

ସ୍ତିରୀଙ୍କର ମନକଥା ଶ୍ରୀ ନୃସିଂହଙ୍କୁ ଜାଣି

ସବୁରି ମୁଖେ ଚୁମ୍ବନ ଦ୍ୟନ୍ତି ଚକ୍ରପାଣି ।

କାହାକୁ ନୃସିଂହ ସ୍ଵାମୀ ପ୍ରେମ ନୋହେ ଦୃଶ୍ୟ

ନଗ୍ରରେ ବୁଲନ୍ତି ବୋଲି ଜାଣନ୍ତି ତ୍ରିଦଶ ।

ଲେଉଟି ମିଳିଲେ ଆସି ନଗ୍ରେ ଜନାର୍ଦ୍ଦନ

ବୋଲନ୍ତି ଭଲା ଅଟଇ ଏହୁ ଭଗବାନ ।

ରାତ୍ରରେ ପେଷିଲେ ମୁର ତିନିଗୋଟି ଦୈତ୍ୟେ

ଗୁପତେ ଆସି ସେ ଥିଲେ ଏହି ନଗ୍ରପ୍ରାନ୍ତେ ।

କାଲି ଗଲା ରାତ୍ରରେ ଏ ମାଇଲା ନୃସିଂହ

ଏରୂପେ କୁହାକୁହି ହ୍ଵନ୍ତି ଲୋକବର୍ଗ ।

ଏଥିଉତ୍ତାରେ ସେ ବାଣୀ ନାରଦ ହୋ ଶୁଣ

ମୁରର ଦୂତେ ଯେ ଆସିଥିଲେ ଗୁପତେଣ ।

ଜଙ୍ଗମ ଯୋଗୀରୂପେ ଯେ ହୋଇଣ ଭିକ୍ଷାଶୀ

ବୁଲନ୍ତି ଅଜଣା ହୋଇଁ ବଦ୍ରିକାରେ ପଶି ।

ମୁରର ମରିବା ତିନି ସେନା କଥା ଜାଣି

ସେ ଖବର ଧିରି ଦୂତେ ଗଲେ ସେହିକ୍ଷଣି ।

କନକାବତୀ ପୁରରେ ହେଲେ ପରବେଶ

ସେନାଙ୍କ ମୃତ୍ୟୁ କହିଲେ ଯାଇଁ ରାଜା ପାଶ ।

ବୋଇଲେ ଭୋଦବଆମ୍ଭେ ଥିଲୁ ଯେ ବଦ୍ରିକା

ଭିକ୍ଷାଶୀ ରୂପରେ ଯାଇଁ ଦାଣ୍ଡେ ବୁଲୁ ଏକା ।

ତୁମ୍ଭର ଯେ ତିନି ସେନା ଗଲେ ମାରିବାକୁ

ରାତ୍ରରେ ମାଡ଼ି ବସିଲେ ଯାଇଁ ନୃସିଂହଙ୍କୁ ।

ଦେଖି ତାହା କୋପେ ଉଠି ବସି ବେନିଭାଇ

ଖଡ଼ିକାସୁରକୁ ମାଡ଼ି ବସ ଶେଷ ଯାଇଁ ।

ଫେଡ଼ିଲେ ବଜ୍ରଶକତି ଘେନି ତାର ବୁକୁ

ନୃସିଂହ ଘେନିଣ ଗଲେ ସେ ବେନି ସେନାଙ୍କୁ ।

ମେରୁର ଉପରେ ନେଇ ତାଙ୍କୁ କଚାଡ଼ିଲା

ଛେଚିବା ଘାତେ ତାହାଙ୍କୁ ମୃତ୍ୟୁ ଘୋଟିଗଲା ।

ଏ କଥା ଦେଖିଣ ଆମ୍ଭେ ଆସିଲୁ ଏକ୍ଷଣି

ଶୁଣିଣ ସେ ମୁର୍ଚ୍ଛଗତେ ପଡ଼ିଲା ନୃମଣି ।

ଦଣ୍ଡକେ ସେ ଚେତି ଉଠି ଉଚ୍ଚସ୍ଵରେ କାନ୍ଦି

ସମସ୍ତଙ୍କୁ ବାହୁନେଇ ବିଷ୍ଣୁଙ୍କୁ ସେ ନିନ୍ଦି ।

ବୋଇଲେ ବିପ୍ର ନୃସିଂହ ମାଇଲାକେ ତାକୁ

ବ୍ରହ୍ମାଣ ଘରେ ଜନମି ନାଶିଲା ଦୈତ୍ୟଙ୍କୁ ।

କ୍ଷତ୍ରୀ ହେଲେ ସିନା ମୁହିଁ ପ୍ରଶଂସା କରନ୍ତି

ଆଛା ଏ ଅଛଇ ବୋଲି ଯୁଦ୍ଧେ ବାହାରନ୍ତି ।

ବିପ୍ର କୁଳରେ ଜନମି ହେଲା ଶତ୍ରୁ ମୋତେ

ମାଇଲା ସତରଲକ୍ଷ ପୁତ୍ର କ୍ଷଣମାତ୍ରେ ।

ନବଲକ୍ଷ ନାତିଙ୍କୁ ସେ ପୁଣ ଦେଲା ମାରି

ଏବେ ହେଁ ଷଡ଼ ସୈନ୍ୟଙ୍କୁ ଦେଲା ଶବ କରି ।

ନାରାଚମାନ ଧରି କି ନ ଗଲେ ଯୁଦ୍ଧକୁ

ମାରନ୍ତେ ନା ଗୁଣ୍ଡାକରି ଗାୟତ୍ରୀ ପଢାକୁ ।

ଗଡୁ ତମ୍ବାପାତ୍ରି ଆଉ ନ ପାରନ୍ତେ ଧରି

ତିଳ କୁସୁମେ ତର୍ପଣ ନ ପାରନ୍ତେ କରି ।

ତୁମ୍ଭର ଯେତେକ ବୁଦ୍ଧି ନେଲା କେହୁ କାଢ଼ି

ନିର୍ବୁଦ୍ଧି ହୋଇ ମଲରେ ବିପ୍ର ହାତେ ପଡ଼ି ।

ପକାନ୍ତି ଅଣ୍ଟାକୁ ଭାଙ୍ଗି ଯାନ୍ତେ ଛୋଟା ହୋଇ

ଘରକୁ ବୁଲି ଆଉ ନ ଯାନ୍ତେ ସେହୁ କାହିଁ ।

ବୁଡ଼ାଇଲ ବୁଦ୍ଧି ବଳ ମଲ ଅକାରଣ

ତୁମ୍ଭପରା ରଥି ବ୍ୟର୍ଥେ ଛାଡ଼ିଲରେ ପ୍ରାଣ ।

କି ବୋଲି ଏବେ ରେ ମୁହିଁ କହିବି କାହାକୁ

ଶୁଣି ଶତ୍ରୁମାନେ ପୁଣି ହସିବେ ଆମ୍ଭଙ୍କୁ ।

ଦେବତାମାନେ ଯେ ଶୁଣି ହେବେ ଗର୍ବେଶ୍ଵର

ବାସବ ଶୁଣି ହସିବେ ହୋଇ କର କର ।

ତୁମ୍ଭର ଘେନି କାହାକୁ ମୁହିଁ ନ ମାରଇ

ଛାଡ଼ିକରି ଗଲେ ତୁମ୍ଭେ ଏକା ମୋତେ ଥୋଇ ।

ପ୍ରଳୟ ଜଳରେ ଯେହ୍ନେ ସର୍ପେ ଯାଇ ଭାସି

ସେହି ପରାୟେ ଗଲରେ ତୁମ୍ଭେମାନେ ଖସି ।

ଶାର୍ଦ୍ଦୂଳ ଘରେ ପସିଣ ଗୃଧ୍ର କଲା ନାଟ

ମଣ୍ଡୁଳୀ ବସିଲା ଜଗି କାଳସର୍ପ ବାଟ ।

ବିକ୍ରମ ସିଂହକୁ ମୃଗ ମାଇଲାରେ ଖେଦି

ଶ୍ୟାମଳ ଘରେ ବସିଲା ବକ ଦ୍ଵାର ରୁନ୍ଧି ।

ଛେଳିଙ୍କ ବୁଦ୍ଧି ଅଟନ୍ତି ସିସା ବିପ୍ର ପୋଏ

ବାତୁଳାଖେଳା ଲୋକ କି ଜାଣେ ଭଲ ନ୍ୟାୟେ।

ଶାସ୍ତ୍ରରେତ ଋଷିମାନେ ଅଛନ୍ତି ଯା କହି

ବାଣିଜ୍ୟ ଯୁଆ ଯେ ଯୁଦ୍ଧ ତର୍କେ ପ୍ରବର୍ତ୍ତଇ ।

ବଳ ଦେଖିଲେ ମାରିବି ତାକୁ ପ୍ରୀତିକରି

ବୁଦ୍ଧିବଳ ଥିଲେ ସଭାମଧ୍ୟେ ଜିଣିପାରି ।

ଏ ତିନି କଥାରେ ତର୍କ ବୁଝି ନ ପାରିଲା

ଜାଣୁ ଜାଣୁ ବ୍ରହ୍ମଶର ହସ୍ତେ ପ୍ରାଣ ଦେଲା ।

ଏ ରୂପେ ବୋଲି ସେ ରାଜା ଚାହାନ୍ତେ ଚୌକତି

ଦେଖିଲା ଆଗେ ଅଛି ସୁବିଜ୍ଞ ମହାମନ୍ତ୍ରୀ ।

ଦକ୍ଷିଣ ଭାଗେ ଅଛନ୍ତି ଶୁକ୍ର ଗୁରୁ ବସି

ବୀରବାହୁ କାଳକେତୁ ସଉଦାସ ମିଶି ।

ମୃରାସୁର ବୋଲଇ ରେ ସର୍ବେ ହୁଅ ସଜ

ମୁଁ ଗଲେ ନୃସିଂହ ପ୍ରାଣ ଘେନିବି ଯେ ଆଜ ।

ବୀରବାହୁ, କାଳକେତୁ ଓ ସୌଦାଗର ଯୁଦ୍ଧକୁ ଗମନ ଏବଂ ମୃତ୍ୟୁ

ଶୁଣିଣ ସେ ତିନି ସେନା ନିଶେ ହାତଭରି

ରାଜାଙ୍କୁ ତିଆରି ପୁଣି କହି ବଡ଼ କରି ।

ବୋଲନ୍ତି କ୍ରୋଧ କିପାଇଁ କରୁ ମହୀପତି

ବୁଝିଲେ ଏ ତ୍ରିପୁରେ ତୁ ଅଟୁ ଚକ୍ରବର୍ତ୍ତୀ ।

ତୋହର ଲୋତକ ଯେବେ ପଡ଼ିବ ମେଦିନୀ

ପୃଥ୍ଵୀକି ଅଶୁଭ ଜାଣ ହେବ ଶିରୀହାନୀ ।

ଆମ୍ଭର ଥାଆନ୍ତେ ତୁ କି ଯିବୁ ଯୁଦ୍ଧ କରି

ନ ପକା କେତେବେଳେତୋ ନେତ୍ରୁ ଅଶ୍ରୁ ବାରି ।

ଆମ୍ଭର ଆଗ ତୁ ଦେଖ କେଡ଼େ ବଡ଼ ଯୁଦ୍ଧ ।

କରିବୁ ନୃସିଂହ ଶେଷଦେବ ଶିର ଚ୍ଛେଦ ।

ଭୋ ଶୁକ୍ରଗୁରୁ କଲ୍ୟାଣ ବେଗେ ତୁମ୍ଭେ କର

ହସାଇ ରସାଇ କହି ରାଜା ଦିନ ହର ।

ଏରୂପେ କହି ରାଜାଙ୍କୁ ମାଗିଲେ ମେଲାଣି

ଗଲେ ସେହୁ ଶୀଘ୍ର ଚଳି ଯୋଗବାର ଗଣି ।

ନୃପତି ବୋଇଲେ ବାବୁ ଶୁଭେ ଯାଇ ଆସ

ତୁମ୍ଭେ ଥିଲେ ରହିଥିବ ମୋର ସବୁ ଯଶ ।

ହେଉ ହେଉ ଦେବ ବୋଲି ଗଲେ ତିନିବୀର

ମେଲାଣି ହୋଇଣ ଗଲେ କରି ନମସ୍କାର ।

ସପ୍ତଦିନେ ମିଳିଲେ ସେ ବଦରିକା ଦେଶ

ଆନନ୍ଦବନରେ ଯାଇଁ ହୋଇଲେ ପ୍ରବେଶ ।

କେତେ ଫଳ ଅଛି ତହିଁ ତାର ଅନ୍ତ ନାହିଁ

ପଡ଼ିଅଛି ପାଚି ଫୁଟି ବାସ ଚହଟଇ ।

ଭୁଞ୍ଜିଣ ସେ ତିନି ବୀରେ ହୁଅନ୍ତେ ସନ୍ତୋଷ

ତୋଟାକୁ ଦେଖି ସେ ଧନ୍ୟ କରନ୍ତି ବିଶେଷ ।

ବୋଲନ୍ତି ଜମ୍ବୁ ଦ୍ଵୀପେ ଏ ତୋଟା ଦେଖି ନାହିଁ

ବ୍ରାହ୍ମଣ ରାଜା ହୋଇଣ ଆଣିଲା ଏ କାହୁଁ ।

ବସନ୍ତ ବହୁଛି ଅବସନ୍ତେ ପରିମଳ

ଲୋଡ଼ିବା ମନରେ ଯାହା ମିଳୁଛି ସେ ଫଳ ।

ଧନ୍ୟ ଏହି ବନ ତୋଟା ଧନ୍ୟ ପୁଣ୍ୟସ୍ଥାନ

ଏ ନଗରେ ଲୋକଙ୍କର ଜୀବନ ଯେ ଧନ୍ୟ ।

ବୈଶାଖ ଶୁକ୍ଳପଞ୍ଚମୀ ତିଥି ଚନ୍ଦ୍ରବାର

ବୃକ୍ଷରୁ ପଡ଼ଇ ଫଳ ପାଚି ଆଗୋଚର ।

କମଳା ଆମ୍ବ ଜାମ୍ବୁ ଯେ ପଣସ କଦଳୀ

ଭୁଞ୍ଜନ୍ତି ଅସୁରମାନେ ଏହି ଫଳ ତୋଳି ।

ଏ ରୂପେ ରହି ସେ ବନେ ଦିନ ବଞ୍ଚୁ ଥାନ୍ତି

ଏକାନ୍ତରେ ନୃସିଂହଙ୍କୁ ଦେଖି ନ ପାରନ୍ତି ।

ଏ ରୂପେ ବଞ୍ଚନ୍ତେ ତିନି ଚାରି ଦିନ କାଳ

ଜାଣିଲେ ସେ କଥା ଅନ୍ତର୍ଯ୍ୟାମୀ ଆଦିମୂଳ ।

ବୋଇଲେ ଅସୁର ବନେ ଅଛନ୍ତି ଯେ ଲୁଚି ।

ଆମ୍ଭଙ୍କୁ ମାରିବେ ଆସିଛନ୍ତି ମନେ ପାଞ୍ଚି ।

ମାରିବା ପାଇଁ ସେ ଧାଇଁ ଅଛନ୍ତି ଦଇତ୍ୟେ

ଦଇବ ବଢ଼ାଇ ତାଙ୍କୁ ଆଣିଛନ୍ତି ଏଥେ ।

ଏତେ ପାଞ୍ଚି ଶ୍ରୀନୃସିଂହ ଭାଇ ସଙ୍ଗେ ଧରି

ବୋଇଲେ ତୋଟାକୁ ଆସ ଯିବା ବିଜେକରି ।

ଏରୂପେ ବୋଲି ଗରୁଡ଼ କାନ୍ଧେ ବିଜେ କଲେ

ସୁଜାଣ ମନ୍ତ୍ରୀ ଆଦି ଯେ ସଙ୍ଗେ ବାହାରିଲେ ।

ଚଳିଲେ ସମ୍ଭ୍ରମେ ଥାଟ ତୋଟାଯାକ ପୂରି

ନୃସିଂହ ପ୍ରଭୁ ଅଛନ୍ତି ଯହିଁ ବିଜେକରି ।

ପଦାତି ଆବର ଅଶ୍ଵ ଗଜ ସୈନ୍ୟ ଘେନି

ଚଳନ୍ତି ବନେ ନୃସିଂହ ଶେଷଦେବ ବେନି ।

ବୈକୁଣ୍ଠ ଭୁବନୁ ବିଜେ କଲା ପ୍ରାୟେ ଦିଶେ

ବନର ମଧ୍ୟରେ ବିଜେ ପ୍ରଭୁ ଜଗଦୀଶେ ।

ବାଜେ ଟମକ ଦମାଲ ଢୋଲ ବିଜିଘୋଷ

ଜୟ ଜୟ ଶବଦ ଯେ ଶୁଭେ ଚଉପାଶେ ।

ବନକୁ ସେ ତିନି ଦୈତ୍ୟବୀର ଥିଲେ ଆସି

ନୃସିଂହ ଶେଷ ଦେଖିଣ ହୋନ୍ତି ମନତୋଷି ।

ବୋଲନ୍ତି ଏ ପରା କୃଷ୍ଣବଲ୍ଲଭର ପୁତ୍ର

ତୋଟାକୁ ଆସୁଅଛନ୍ତି ଘେନି ସୈନ୍ୟଛତ୍ର ।

ଲୁଚିଲେ ଯେ ଆମ୍ଭେ ଆଉ ହେବ ଏଥେଁ କିସ

ଏ ରୂପେ ପାଞ୍ଚି ଦଇତ୍ୟ ହେଲେ ଆଗଦୃଶ୍ୟ ।

ନୃସିଂହ ବୋଇଲେ କହ ଅଟ ତୁମ୍ଭେ କେ କେ

ଆନନ୍ଦବନେ ପଶିଲେ ଆସି ଅବିବେକେ ।

ଆସିଲ ମୃତ୍ୟୁକୁ ସଙ୍ଗେ ଘେନ ତୁମ୍ଭେ ବ୍ୟଥ

ଏ ରୂପେ ବୋଲି ଧଇଲେ ଧନୁ ଜଗନ୍ନାଥ ।

ନୃସିଂହ ଧନୁ ଅସୁରେ ଦେଖି ଦେଲେ ଡାକ

ବୋଲେ ଅନ୍ୟାୟ କରି ନ ମାର ପୁଣ୍ୟଶ୍ଳୋକ ।

ଜଣକୁ ଜଣେ କରିବା ଆସ କ୍ଷତ୍ରୀ ଧର୍ମ

ଲକ୍ଷେକ ଯୋଦ୍ଧା ଆସିଛୁ ଘେନି ପରଂବ୍ରହ୍ମ ।

ଜଣକୁ ଜଣେ କହିଛି ସିନା ଯୁଦ୍ଧ ଭଙ୍ଗୀ ।

ଅଧର୍ମେ ଯୁଦ୍ଧ କଲେଟି ନର୍କେ ପଡ଼େ ବେଗି ।

ପ୍ରଭୁ ବୋଇଲେ କି ରୂପେ କହ ହେବ ଯୁଦ୍ଧ

ଅସୁର ବୋଲେ କରିବା ଆସ ମାଲବନ୍ଧ ।

ନୃସିଂହ ବୋଇଲେ ଆମ୍ଭେ ବୁଝିଲେ ଦ୍ଵିଭାଇ

ତୁମ୍ଭେ ତିନିଜଣ ଆସିଅଛ ଦୈତ୍ୟ ଧାଇଁ ।

ସୌଦାସ ବୋଇଲା ମୋର ନାମ ହେ ସୌଦାସ

ତୋ ନାମ ନୃସିଂହ ପରା ତୁ ବଲ୍ଲଭ ଶିଷ୍ୟ ।

ତୁମ୍ଭର ଭାଗେ ହୋଇଲି ମୁହିଁ ତେବେ ଆଜ

ବୀରବାହୁ ତୁଲେ ଶେଷଦେବଙ୍କୁ ଯେ ଖଞ୍ଜ ।

ନୃସିଂହ ବୋଇଲେ ଏହ୍ନେ ହେବ ଯେବେ ରଣ

ଆମ୍ଭେ ଅଛୁ ବେନି ତୁମ୍ଭେ ଅଛ ତିନିଜଣ ।

ସୌଦାସ ବୋଇଲା ତେବେ ଶୁଣ ପଦ୍ମଆଖି

ତୁମ୍ଭର ବାହନ ପରା ଅଟଇ ଏ ପକ୍ଷୀ ।

କାଳକେତୁ ଦୈତ୍ୟ ତୁଲେ ତାକୁ ଖଞ୍ଜାକର

ଏହିରୂପେ ଧର୍ମଯୁଦ୍ଧ କଲେ ହେବ ପାର ।

ନୃସିଂହ ବୋଇଲେ ଭଲା ବାଣ୍ଟିଲୁ ତୁ ଭାଗ

ବୁଝିଲେ ପକ୍ଷୀର ଏକା ଅଟଇ ଅଭାଗ୍ୟ ।

କାଳକେତୁ ତୁଲେ ଯାହା ଭୁଞ୍ଜିଲୁ ତୁ ତାକୁ

ଏତିକି ଭୟ ଏକା ଯେ ଲାଗୁଛି ଆମ୍ଭଙ୍କୁ ।

ମାରିବା ଛନ୍ଦ ତର୍କ ନ ଜାଣଇ ସେ କିଛି

ଯହିଁକି ପେଶିଲେ ଚଳେ ବିନତାର ବତ୍ସି ।

କଶ୍ୟପଙ୍କ ପୁତ୍ରଯାକେ ଏହି ସେ ଉଦାର

ଯହିଁକି ପେଶିଲେ ତହିଁ ଚଳଇ ତତ୍ପର ।

ଏଡ଼େହେଁ ଯୁଦ୍ଧକୁ ପକ୍ଷୀ ପାରିବ କି ନାହିଁ

କେତେ ହେଁ ଦୁର୍ଗମ ତାକୁ ଲଗାଇଲୁ ତୁହି ।

କେଉଁକାଳେ ତୋର ସେହୁ ହୋଇଥିଲେ ଶତ୍ରୁ

ସେହି ମରିଗଲେ ବ୍ୟର୍ଥେ ଗଲା ଆମ୍ଭ କ୍ଷେତ୍ରୁ ।

ତଥାପି ଆମ୍ଭେ ଦୈତ୍ୟକୁ ପାରୁ ସିନା ମାରି

ସେ କେବେ ଧନୁଶର ନ ପାରେ ହସ୍ତେ ଧରି ।

କହ ହୋ ଗରୁଡ଼ ଏବେ କହ ତୋ କଥା ତୁ

ଧରିଲେ ମରିବି ଏହିକ୍ଷଣି କାଳକେତୁ ।

ଗରୁଡ଼ ବୋଇଲା ମୋର କର୍ମେ ଯାହା ଅଛି

ତାହା କେ ଆନ କରି ନ ପାରେ ଶିରୀବତ୍ସି ।

ତୁମ୍ଭଙ୍କୁଟି ସେବିବାରୁ ଦୈତ୍ୟ କଲେ ଦୁଃଖ

ମଲେ ମରିବା ପଛେ ନ ଭାଳ ପଦ୍ମମୁଖ ।

ଜାତ କରି ପିତା ମାତା ଦିନେ ହେଲେ ମୋତେ

ମାରିଣ ଆଜଯାଏ ନ ଥିଲେ କଦାଚିତେ ।

କେଡ଼େଲୋକ ପୁତ୍ର ମୁହିଁ ଅଟେ ଜାଣ ହରି

ଛାର ଏ ଅସୁର ହାତେ ବ୍ୟର୍ଥେ ଯିବି ମରି ।

ତୁମ୍ଭଙ୍କୁ ଭଜି ଭଜି ମୁଁ ବଞ୍ଚୁଥିଲି କାଳ

ତହିଁକି ଏ ନଷ୍ଟେ ଯେବେ କଲେ ଆସିଗୋଳ ।

କି ରୂପେ ଲାଗିବି ଏବେ ମୁହିଁ ମାଲବନ୍ଧ

ଜାଣି ନାହାନ୍ତି ମୋ ବାପ ଅଜା ଋଷିବୃନ୍ଦ ।

ମୁହିଁ ମାତ୍ର ଜାଣେ ଝିଙ୍କା ବାହୁ ଛଟକାରୀ

ନଖରେ ବିଦାରି ଥଣ୍ଟେ ପକାଏ ଯେ ଚିରି ।

ପ୍ରଭୁ ବୋଇଲେ ଆହୁରି ମାର୍ଗେ ମାଡ଼ି ଅଛି।

ଧରିବ ବାହୁକୁ ବାହୁ ଛନ୍ଦି ହୋଇ ବାଛି ।

ଚିରିଦେବ ବେନି ପାଦଠାରୁ ଶିରଯାଏ

ଏ ରୂପେ ଯେ ମାଲବନ୍ଧେ ଯୁଦ୍ଧ କଲେ ହୁଏ ।

ଶୁଣି ସେ ଗରୁଡ଼ ଯତି ଅଳ୍ପ ଦେଲା ହସି

ବୋଇଲା ହୋ ଧନ୍ୟ ଧନ୍ୟ ପ୍ରଭୁ ବ୍ରହ୍ମରାଶି ।

ଯାହାକୁ ଯେତେ ଯେ ଦେଇଥାନ୍ତି ପରମାୟୁ

ତେତେକ ପୂରିଲେ ରଖି ନ ପାରେ କେ ଆଉ ।

ଗରୁଡ଼ ବୋଇଲା ତୁରେ କାଳକେତୁ ଶୁଣ

ଘରଣୀକି ତୋର କହି ଆସିଛୁ କି ପୁଣ ।

ଯାଉଛି ମୁଁ ମରିବାକୁ ବୋଲି କହିଥାନ୍ତୁ

ଶୁଣି ଉଠିଲା କୋପ କରି କାଳକେତୁ ।

ବାସ ପିନ୍ଧିଲା ତ୍ରିକଛି ରୂପେ ଭିଡ଼ି ବାଛି

ଗରୁଡ଼ ଦେଖିଣ ତାକୁ ନିଶ ମୋଡ଼ୁ ଅଛି ।

କାଳକେତୁ ବୋଇଲାରେ ଶୁଣ ପକ୍ଷୀ ନଷ୍ଟ

ଏକଇ ମୁଥ ମାରିଣ ଭାଙ୍ଗିବି ତୋ ଥଣ୍ଟ ।

ଗରୁଡ଼ ବୋଇଲା ମୋତେ ଶୂନ୍ୟ ଦେଖିବାରୁ

ନୃସିଂହଙ୍କୁ ନ ମାରି ଯେ ଆସି ମତେ ମାରୁ ।

ତୁ ଆଗେ ମାଇଲା ଯାଏ ଚାହିଁ ଅଛି ତୋତେ

ଦେଖିବା କି ରୂପେ ଆଗ ମାରୁ ଆସି ମୋତେ ।

ମାଇଲା କ୍ଷଣି ଥଣ୍ଟରେ ଦେବି ତୋତେ ଚିରି

ଶୁଣି ଉଠିଲା କାଳକେତୁ କୋପ କରି ।

ଗରୁଡ଼ ପରେ ମାରିଲା ନେଇ ବଜ୍ର ବିଧା

ଲେଉଟି ପକ୍ଷୀ ମାଇଲା ମୁଖେ ଏକ ଖୁନ୍ଦା ।

ସେ ଖୁନ୍ଦା ବାଜି ପଡ଼ିଲା ଦୈତ୍ୟ ମୁଖମାଡ଼ି

ବେନିଖଗେ ଧରି ତାକୁ ଦେଲାକ କଚାଡ଼ି ।

ବିଶ୍ଵରୂପ ଧରି ତାକୁ ଶୂନ୍ୟେ ଉଡ଼ିଗଲା

ପଞ୍ଚାଶ ଯୋଜନ ଉଚ୍ଚେ ଛେଚି ପକାଇଲା ।

ଏଡ଼େ ଛେଚାରେ ନୋହିଲା ଦୈତ୍ୟ ପ୍ରାଣନାଶ

ଗରୁଡ଼ ଆଗେ ମିଳିଲା ଧରି କରେ ନିଶ ।

ବୋଇଲେ ପୃଥ୍ଵୀ ଗିଳିବି ଗିଳି ତୋତେ ଜାଣ

କେଉଁ ନୃସିଂହ ରଖିବ ଏବେ ଆସି ପୁଣ ।

ମାରିଛୁ ମୁରର ପୁତ୍ର ନାତି ପରା ତୁହି

ଦେଉଛି ସେ ପରାଭବଯାକ ନାଶିବଇଁ ।

ଗରୁଡ଼ ବୋଇଲା ତୋର ଅଟେ କେଡ଼େ ଭାଗ୍ୟ

ମୃତ୍ୟକାଳରେ ଧଇଲୁ ନାମ ତୁ ନୃସିଂହ ।

ଏଥର ଏବେ ଘେନିବି ପ୍ରାଣ ଆଜ ତୋର

ପାରିଲେ ଡାକ ରଖୁ ତୋ ବାପା ମୃରାସୁର

ତୋ ଛାର ସଙ୍ଗେ ଲାଗିଲେ ହେବ ଆଉ କିସ

ଉପାଡ଼ି ଦେବି ଆଜ ତୋ ମୋଡ଼ିବାର ନିଶ ।

ଏ ରୂପେ ବୋଲି ଖଗରେ ପକ୍ଷୀ ତାକୁ ଧରି

ହୃଦୟରେ ମାଡ଼ିବସି ଥଣ୍ଟେ ଦେଲା ଚିରି ।

ତହୁଁ ଧରି ଫିଙ୍ଗିଦେଲା ଶବ ସମୁଦ୍ରକୁ

ଗଙ୍ଗାରେ ବୁଡ଼ି ଭେଟିଲା ଆସି ନୃସିଂହଙ୍କୁ ।

ଶ୍ରୀହରି ବୋଇଲେ ଶୁଣ ହେ ବିନତା ସୁତ

ମୋହର ଘେନି ତୁ କ୍ଳେଶ ପାଇଲୁ ବହୁତ ।

ଏହି ରୂପେ ବୋଲି ହରି ଆଉଁଷିଲେ ଦେହ

ବୋଇଲେ ଆରୋଗ୍ୟ ହୋଇ ଅମର ତୁ ହୁଅ ।

ଗରୁଡ଼ ବୋଇଲା ମୋର ଅଟେ କେଡ଼େ ଭାଗ୍ୟ

ମୋ ଦେହ ଶ୍ରୀପଦ୍ମ କର ଲାଗି ହେଲା ଯୋଗ୍ୟ।

ପଡ଼ିବା ଗଡ଼ିବା କଥା କୋଡ଼ିବା ଯେ ଥିଲା

କରପଦ୍ମ ଲାଗି ସବୁ ଉଶ୍ଵାସ ହୋଇଲା ।

ସକଳ କର୍ତ୍ତା ଯେବଣ ହରି ଭଗବାନ

ତୁମ୍ଭ ମହିମା ଏକା ନ ଜାଣେ ମୁର୍ଖଜନ ।

ତୁମ୍ଭର ଏଡ଼େକ କ୍ଳେଶ ଦେଖି ମୋର ଦେହୀ

ଶରୀର ମୋହର କମ୍ପେ ଅସୁରଙ୍କୁ ଚାହିଁ ।

କିଞ୍ଚିତେ ଆଜ୍ଞା ଫିଟନ୍ତା ଯେବେ ପ୍ରଭୁ ମୁଖୁଁ

ମୁରର ନଗର ଫିଙ୍ଗି ଦ୍ୟନ୍ତି ସମୁଦ୍ରକୁ ।

ପୃଥ୍ଵୀରେ ଅସୁର କରି ନ ରଖନ୍ତି ମୁହିଁ

ଶୁଣିଣ ହସନ୍ତି ମନେ ପ୍ରଭୁ ଭାବଗ୍ରାହୀ ।

ପକ୍ଷୀକି ବୋଇଲେ ତୁହି ସେ ରୂପେ ନୋହୁକି

ତୋହର ପ୍ରାୟ ସଂସାରେ ଜଣେ ମିଳଇ କି ।

ସତ୍ୟଯୁଗରେ ଗରୁଡ଼ ତ୍ରେତାଯୁଗେ ହନୁ

ଦ୍ଵାପର ଯୁଗରେ ପାର୍ଥ ବଳେ ଆମ୍ଭେ ମନୁ ।

କଳିଯୁଗେ ଆମ୍ଭ ଆଜ୍ଞା ଅଟେ ଏକା ବଡ଼

ଘେନନ୍ତି ଏ ଚାରି କଥା ସମ ଯୋଗାରୁଢ଼ ।

ଆମ୍ଭର ଆଜ୍ଞା ସବୁଙ୍କୁ ଅଟେ ଜାଣ ବଳ

ଏ କଥା ଚିହ୍ନି ପାରନ୍ତି ଏକା ସାଧୁଶୀଳ ।

ବୋଇଲା ମୁର କଟକ ଦିଅନ୍ତୁ ଯେ ଫିଙ୍ଗି

ଏ ନୃସିଂହ ଅବତାର ଅଳ୍ପେ ଯାନ୍ତା ଭାଙ୍ଗି ।

ଏଡ଼େ ଅବତାରକୁ ତୁକ୍ଷଣେ ଭାଙ୍ଗି ଦେଲେ

କିରୂପେ ନୃସିଂହ ଲୀଳାରସ ହେବ ଭଲେ ।

ଶ୍ରୀହରି ବୋଇଲେ ଶୁଣ ହେ ବିନତାରସୁତ

ବୁଝିଲେ ସେ ଦୈତ୍ୟକୁଳ ତୋତେ କେତେ ମାତ୍ର।

ଏ ମୋହର ଅବତାର ଘେନି ହୁଏ ସବୁ

ଆବର ଆସିଲେ ଦୈତ୍ୟ କେତେ ସଂହାରିବୁ ।

ତୁ ଏବେ ନାଶିଲୁ ଦୈତ୍ୟ ଜଣେ ଭାଗପାଇ

ଆମ୍ଭର ଭାଗ ସାରିବୁ ଆମ୍ଭେ ଦେଖ ତୁହି ।

ଶେଷେଦେବଙ୍କୁ ଭାଗରେ ପଡ଼ିଛି ସୌଦାସ

ବୀରବାହୁକୁ କରିବୁ ଆମ୍ଭେ ପ୍ରାଣ ନାଶ ।

ଏ ରୂପେ କହି ତ୍ରିକଚ୍ଛେ କାଛା ଦେଲେ ଛନ୍ଦି

ରେ ରେ ଅସୁର ବୋଲିଣ ପାଦ ଦେଲେ ଛନ୍ଦି ।

ଦେଖିଣ ମାଇଲା ବୀରବାହୁ ବାହାସ୍ଫୋଟ

ନୃସିଂହ ଉପରେ ମାଡ଼ି ବସିଲା ସେ ଦୁଷ୍ଟ ।

ନୃସିଂହ ମାଡ଼ି ବସିଲେ ତାକୁ ଲେଉଟାଇ

Unknown

ମାଇଲେକ ବଜ୍ରମୁଥେ ବୁକୁରେ ତା ନେଇ ।

ବିକ୍ରମ ମରତି ଧରି ଶ୍ରୀନୃସିଂହନାଥେ

ପାଦେ ପାଦେ ଛନ୍ଦି ପୁଣି ମାଇଲେକ ମାଥେ ।

ଭୂମିରେ ସେ ଗଡାଗଡ଼ି ଭିଡାଭିଡ଼ି ହେଲେ

ଲେଉଟି ସେ ମାଡ଼ିବସି ହୃଦେ ତାଡ଼ିଦେଲେ ।

ତଳରୁ ଟେକିଣ ପୁଣି ଶୂନ୍ୟେ ଦେଲେ ଛେଚି

ତହିଁରେ ନ ମରି ଦୈତ୍ୟ ରହିଲାକ ଘୁଞ୍ଚି ।

ବୋଇଲା ଏଥର ଦେବି ନୃସିଂହଙ୍କୁ ଗିଳି

ଦେଖିବା ରିଖିବ କେଉଁ ବାପ ପ୍ରତିପାଳି ।

ଏ ରୂପେ ତୁଣ୍ଡେ ବିସ୍ତାରି ଦେଲା ବୀରବାହୁ

ଚନ୍ଦ୍ରକୁ ଯେସନେ ଘୋଟି ଆସେ କାଳ ରାହୁ ।

ଆସିଣ ସେ ରୂପେ ଦୈତ୍ୟ ପଡ଼ିଲାକ ମାଡ଼ି

ଡରୁ ଏହି ଦୈତ୍ୟ ବୋଲି ଦେଲେ ଘୋର ରଡ଼ି।

ସତ୍ୟ କରିଛନ୍ତି ମାଲ ବିନ୍ଧାଣ ଯେ ଯୁଦ୍ଧ

ତେଣୁ କରେ ନ ଧଇଲେ ଶସ୍ତ୍ର ଆଦିକନ୍ଦ ।

ଶ୍ରୀ ନୃସିଂହ ରଡ଼ି ଶୁଣି ଦୈତ୍ୟ ଗଲା ଘୁଞ୍ଚି

ହୁଙ୍କାର ନାଦରେ ମାଡ଼ି ବସିଲେ ଶ୍ରୀବତ୍ସି ।

ବିକ୍ରମ ସିଂହ ମୂରତି ହୋଇ ଭଗବାନ

କ୍ରୋଧରେ ଦିଶଇ ଚକ୍ଷୁ ବେନି ରକ୍ତବର୍ଣ୍ଣ ।

ବୋଇଲେ ଏ ଛାରକୁ କି ହେବ ଆଉ ରଖି

ଏ ଯୁଦ୍ଧକୁ ଯେ କେବଳ ଧର୍ମ ହେବ ସାକ୍ଷୀ ।

ଏ ରୂପେ ମାଡ଼ି ବସିଲେ ଯାଇ ଅସୁରକୁ

ଶ୍ରୀପଦ୍ମକରରେ ଝିଙ୍କି ଧଇଲେ କେଶକୁ ।

ବୁଲାଇ ଚକ୍ର ପରାୟେ ପିଟିଲେ ବୃକ୍ଷରେ

ଫାଟି ମୁଣ୍ଡ ଗୋଟି ପଡ଼ିଲାକ ବସୁଧାରେ ।

ମାଇଲେ ମୁଥେକ ପୁଣି ବୁକୁରେ ତା ବସି

ହୃଦରେ ଭେଦିଣ ହସ୍ତ ଗର୍ଭେ ଗଲା ପଶି ।

ଆଣିଲେ କଲିଜା ଅନ୍ତପିତ୍ତ ସବୁ ଝିଙ୍କି

ପ୍ରାଣକୁ ଛାଡ଼ି ସେ ଦୈତ୍ୟ ତରାଟିଲା ଆଖି ।

ଅସୁରର ଦେହଯାକ କରି ଖଣ୍ଡ ଖଣ୍ଡ

ଫିଙ୍ଗିଦେଲେ ସମୁଦ୍ରକୁ ଧରି ତାର ପିଣ୍ଡ ।

ଶରୀରଯାକ ଦିଶଇ ରକ୍ତ ଟୋପି ଟୋପି

ଏଥିଉତ୍ତାରେ ଯେ ଶୁଣ ହେ ନାରଦ ତପୀ ।

ଦୈତ୍ୟ ସଉଦାସର ଯେ ଶୁଣ ଏବେ ଯୁଦ୍ଧ

ଲାଗିଲା ଅନନ୍ତ ସଙ୍ଗେ ତାର ମାଲବନ୍ଧ ।

ଅସୁର ଯେ ସଉଦାସ ଅଟେ ମହାବଳୀ

ସପ୍ତଫେଣକୁ ଦେଖି ନ ପାରେ ପାଦ ଚାଳି ।

ବୋଇଲା ରହିଛି ଶୂନ୍ୟେ ଫଣାଯାକ ଢାଙ୍କି

ଧଇଲେ ଫଣାରେ ପୁଣ ଦେବ ମୋତେ ଫୁଙ୍କି ।

ହଟି ରହିଲେ ରହିବି କଥା ମୋର ଜିଣି

ଯାଇ ମାଡ଼ିବସି ମୋଡ଼ି ଦେବି ସପ୍ତଫେଣୀ ।

ଏ ରୂପେ ପାଞ୍ଚି ଦଇତ୍ୟ ବାତପ୍ରାୟ ଧାଇଁ

ମାଇଲା ଅନନ୍ତମୂର୍ତ୍ତି ଶରେ ବିଧା ନେଇ ।

ବାଜନ୍ତେ ସେ ବିଧା ଯାଇ ଶେଷଦେବ ଶିରେ

ଆଉଁଷି ଦେଇଣ ମାଡ଼ି ବସ ଦୈତ୍ୟପରେ ।

ବୋଇଲେ ପାପିଷ୍ଠ ଏବେ ମିରିବୁରେ ଜାଣ

ମେରୁ ପରେ ଛେଚିଦେଲେ ଛାଡ଼ିବ ତୋ ପ୍ରାଣ।

ଏ ରୂପେ ବୋଲିଣ ଝିଙ୍କି ଘେନିଗଲେ ଶେଷ

ଗିରିରେ କଚାଡ଼ନ୍ତେ ନ ମଲା ସଉଦାସ ।

ଅସୁର ନ ମରନ୍ତେ ସେ ବସିଲେକ ମାଡ଼ି

କହୁଣୀମାରି ଧଇଲେ କରେ ପୁଣି ଭିଡ଼ି ।

ଶୂନ୍ୟରେ ଟେକି ତାହାକୁ ଶୂନ୍ୟେ ଦେଲେ ଛେଚି

ନ ମରି ଅସୁର ତେଡ଼େ ମାଡ଼େ ହସୁଅଛି ।

ଦୈତ୍ୟର ହସିବ ଦେଖି ଉଠି କୋପ କରି

ଚକ୍ରଘାଟକୁ ଯେ ଫିଙ୍ଗି ଦେଲେ ତାକୁ ଧରି ।

ସେ ଚକ୍ରଘାଟେ ପଡ଼ି ନ ମଲା ମହାବଳୀ

ପାତାଳ ପର୍ଯ୍ୟନ୍ତ ଗଲା ଭୂମିରେ ସେ ଗଡି ।

ନ ମରି ଧାଇଁଲା ଚକ୍ରଘାଟୁ ଅନ୍ତରାଳେ

ଅନନ୍ତ ପାଶରେ ଆସି ମିଳିଲା ତତ୍କାଳେ ।

ସେ ଚକ୍ର ଘାଟରେ ଗଙ୍ଗା ନ ପାରିଲେ ରଖି

ଜଳେ ମରିବାକୁ ବିହି ନାହାନ୍ତି ଯେ ଲେଖି ।

ବଦ୍ରିକା ପୁରକୁ ଘାଟ ଅଟେ ତେର ଯୂଣ

ଦଣ୍ଡକ ମଧ୍ୟେ ଆସିଲା ଦୈତ୍ୟ ପୁଣି ଜାଣ ।

ଶେଷଦେବଙ୍କୁ ଘୋଟିଲା ଆସି ରାହୁ ପ୍ରାୟେ

ଧରିଛି ଯେ ବିଶ୍ଵରୂପ ଶୂନ୍ୟମାର୍ଗ ଯାଏ ।

ଦେଖି ଶେଷଦେବ ହୃଦେ ବସିଲେକ ମାଡ଼ି

ମଥାପରେ ମୁଥମାରି ମୁଣ୍ଡେ ମୁଣ୍ଡ କୋଡ଼ି ।

ତେବେ ହେଁ ଦୈତ୍ୟକୁ ଜାଣ ନୁହନ୍ତେ ମରଣ

ଡାକନ୍ତି ଗଗନମାର୍ଗେ ରହି ସୁରଗଣ ।

ଭୋ ଦେବ ଶେଷ ଶୁଣିମା ତୁମ୍ଭେ ଆମ୍ଭବାଣୀ

ନାଭିରେ ତା ଅଛି ଝିଙ୍କ ଅମୃତ ଯେ ମଣି ।

ସେ ମଣିଟି ବାହାରିଲେ ଦୈତ୍ୟ ମୃତ୍ୟୁ ଜାଣ

ତପେ ତାକୁ ବର ଦେଇଛନ୍ତି ବ୍ରହ୍ମା ପୁଣ ।

ଶୁଣିଣ ସେ ଶେଷଦେବ ହେଲେ କୋପାନଳ

ନାଭିରେ ମୁଥେକ ନେଇ ମାଇଲେ ତତ୍କାଳ ।

ବସିଲେ ହୁଁଙ୍କାର ଧ୍ଵନିକରି ହୃଦେ ମାଡ଼ି

ମହାକ୍ରୋଧଭରେ ନାଭଇମଣ୍ଡଳକୁ ତାଡ଼ି ।

ବସିଲେ ହୃଦଯାକ ମାଡ଼ି ସପ୍ତଫେଣୀ

ଫୁଟାଇ ନାଭି ପେଟରୁ କାଢ଼ି ସୁଧାମଣି ।

ଦକ୍ଷିଣ କରରେ ଭରି କାଢ଼ିଲେକ ଗର୍ଜି

ପ୍ରହାର କରିଣ ପାଦ ପୋଛିଲେ ତା ପାଞ୍ଜି ।

ପୁଣି ହିଁ ସେ କ୍ରୋଧ ହେଲେ ପ୍ରଭୁ ସାନଭାଇ

ଅକର୍ମଶିଳା ଉପରେ ଛେଚିଲେକ ନେଇ ।

ଦୈତ୍ୟକୁ ମାରି ଗଙ୍ଗାରେ ଯାଇଁ ସ୍ନାନ କଲେ

ଶୂନ୍ୟରେ କୁସୁମ ବୃଷ୍ଟି ଦେବତାଏ କଲେ ।

କୋମଳ ବାକ୍ୟରେ ଦେବ କରନ୍ତି ଯେ ସ୍ତୁତି

ବୋଲନ୍ତି ଅନନ୍ତ ପ୍ରତ୍ୟକ୍ଷରେ ବହୁମୂର୍ତ୍ତି ।

ଶୁକ୍ଳ ଶୁଭ୍ର ଶଙ୍ଖ ଆଉ ଗୋକ୍ଷୀରର ଆଭା

ଶିରରେ ସପତଫଣୀ ଦିବ୍ୟଜ୍ୟୋତି ପ୍ରଭା ।

ପିଙ୍ଗଳ ଯେ କୃଷ୍ଣବର୍ଣ୍ଣ ଦିଶେ ଜଟା ଜ୍ୟୋତି

ହସ୍ତରେ ଶୋଭା ବାବଲଶର ବ୍ରହ୍ମଶକ୍ତି ।

ପ୍ରସନ୍ନ ମୁଖ ପୁରୁଷ ଆଦି ଯୋଗାରୂଢ଼

ଉଦୟ ରବିର ପ୍ରାୟ ଦିଶେ ନେତ୍ର ବେଢ଼ ।

ଦିଶଇ କର୍ଣ୍ଣ କୁଣ୍ଡଳ ଗୁରୁ ଶୁକ୍ର ଜ୍ୟୋତି

କନ୍ଦର୍ପ ତୀକ୍ଷ୍‌ଣବାଣ ଭ୍ରୁଲତା ବେନିପନ୍ତି ।

ନାସାରୁ ଅମୃତ ପ୍ରାୟ ବହଇ ପବନ

ଯେ ପବନଯାକ ଜାଣ ନାସାରୁ ଉତ୍ପନ୍ନ ।

ସେ ପବନ ସବୁନାକେ ସୁଲୋଳିତ ବହେ।

ଏ କଥା ପ୍ରମାଣ ବୋଲି ନଚିନ୍ତେ କେବେ ହେଁ ।

ଆତ୍ମା ଭିତରୁ ପବନ ଆସୁଥାଇ ବହି

ବହୁଥିବା ଯାଏ ଜୀବ ସଂସାରେ ଜୀଅଇ ।

ଯୋଗାରୁଢ଼ ପୁରୁଷ ସେ ସ୍ଵୟଂ ବ୍ରହ୍ମମୟ

ଯୋଗୀନ୍ଦ୍ରମନେ କରନ୍ତି ବସି ତାଙ୍କୁ ଲୟ ।

ଅନନ୍ତ ଶେଷଦେବ ତୁ ଈଳାଦେବୀ ସ୍ଵାମୀ

ତିଳ ପ୍ରାୟ ବହୁ ପଞ୍ଚ ଶତ କୋଟି ଭୂମି ।

କଟିତଟେ ଶୋହେ ଝୀନ ପତନୀ ଯେ ବାସ

ସେ ବାସକୁ ଶ୍ରୀକପଡ଼ା କରନ୍ତି ପୁରୁଷ ।

ଏ ଅବତାରକୁ ଆଦି ଅବତାର ଯେତେ

ବଡ଼ଭାଇ ହେବ ତୁମ୍ଭେ ତ୍ରେତାଯୁଗ ଅନ୍ତେ ।

ଏ ସଂସାରେ ଯେଉଁରୂପେ ଅଛି ଭାଇ ଭାଗ

ସେ ରୂପେ ବାଣ୍ଟି ଜନ୍ମିବ ତୁମ୍ଭେ ଚାରିଯୁଗ ।

ସତ୍ୟ ତ୍ରେତା ଯୁଗେ ହେବ ଶ୍ରୀନୃସିଂହ ବଡ଼

ଦ୍ଵାପର କଳିଯୁଗରେ ଏ ବଡ଼ ଯୋଗରୁଢ଼ ।

ନୃସିଂହ ବଡ଼ ହୋଇଣ ସାନ ହେବ ପୁଣ

ସାନହୋଇ ଜ୍ୟେଷ୍ଠଭାଇ ହେବ ତୁମ୍ଭ ଜାଣ ।

ବଳଭଦ୍ର ନାମ ବହି ହେବ ତୁମ୍ଭେ ଜାତ

ଦ୍ଵାପର କଳିଯୁଗେ ଏ ନାମ ହେବ ଖ୍ୟାତ ।

ପୂର୍ବରୁ ଗୋବିନ୍ଦ ଏହା ଅଛନ୍ତି ଭିଆଇ

ବୁଝିଲେ ନୃସିଂହ ଶେଷ ଅଟ ଏକାଦେହୀ ।

ପୃଥ୍ଵୀରେ ଧାରଣା ପ୍ରଭୁ ତୁମ୍ଭ ଏକା ଅଟ

ମୁର ଭାଇର କରିବ ତୁମ୍ଭେ ମୁଣ୍ଡକାଟ ।

ତହିଁ ଉତ୍ତାରୁ ମୁରକୁ ମାରିବେ ନୃସିଂହ

ତେବେ ହେ ଆମ୍ଭ ବସିବୁ ଜାଣ ଯାଇ ସ୍ଵର୍ଗ ।

ଆମ୍ଭଙ୍କ ଯେ କେତେ ଦୁଃଖ ଦେଲାଣି ଏ ମୁରା

ଏତେ କାଳ ସାମନ୍ତ ପାଇଲୁ ତୁମ୍ଭ ପରା ।

ଜଣାଇ କହୁଛୁଁ ଆମ୍ଭେ ଅନନ୍ତକୁ ଡାକି

କେତେ କେତେ କଷ୍ଟ ସେହୁ ଦେଲାଣି ସଭିଙ୍କି ।

ରାନ୍ଧଣା ରନ୍ଧାଇଲା ଉଚ୍ଚିଷ୍ଟ ପୋଚ୍ଛାଇଲା

ପାଲଟା ଧୁଆଇଲା ହାନ୍ଦୋଳା ଭୁହାଇଲା ।

ଚରଣକୁ ଘଷାଇଲା ଗ୍ରାମ ଜଗାଇଲା

ଲୋକବର୍ଗ କରି ଚିଠିପତ୍ର ବୁହାଇଲା ।

ବିଷୟାକୁ କରାଇଲା କୃଷି କରାଇଲା

ମଣ୍ଡପ ଛାଅ ବୋଲିଣ ମୁଖେ ଆଜ୍ଞା ଦେଲା ।

ଅତି ଉଗ୍ର ଲୋକଙ୍କୁ ଯେ ଡରିଥାନ୍ତି ପ୍ରାଣୀ

ସେ ଯାହା ବୋଇଲେ ତାହା କରନ୍ତି ସେ କ୍ଷଣି ।

ଅତି ଉଗ୍ର ଲୋକ ଜାଣ ଅଳ୍ପେ ନାଶଯାଇ

ତେଣୁ ସେ ପ୍ରଭୁଙ୍କୁ ଆମ୍ଭେ କହୁଛୁ ଜଣାଇ ।

ଯେ ଯେଡ଼େ ଯୋଗ୍ୟ ତାକୁ ନ କଲେ ଗଉରବ

ଏ କଥାଟି ଅଟେ ମନ୍ଦ ମନେ ବିଚାରିବ ।

ପଣ୍ଡିତ ଲୋକଙ୍କୁ ନିନ୍ଦି ମୂର୍ଖଙ୍କୁ ଯେ ବନ୍ଦେ

କେତେବେଳେ ଶିରୀ ତାର ନ ରହନ୍ତି କାନ୍ଧେ ।

ଦୈତ୍ୟଙ୍କ ଶିରୀ ଗଲାଣି ଦେହୁ ଏବେ ଛାଡ଼ି

କବଳ କହୁଛୁ ଆମ୍ଭେ ଦୁଃଖେ କରଯୋଡ଼ି ।

ଦିନକ ଗଲେ ଆମ୍ଭଙ୍କୁ ଲାଗେ ଯୁଗ ପ୍ରାୟ

ଦୈତ୍ୟଙ୍କ ଲାଗି ସ୍ଵର୍ଗେ ନ ରହୁ ବେଦତାଏ ।

ଦୟା ଥିବାରୁ ତୁମ୍ଭର ଆସିଲୁ ଯେ ଏଥ

ନୋହିଲେକ ଅନ୍ଧପରି ଲାଗେ ସବୁ ପଥ ।

ଶୁଣିଣ ସେ ଈଳାକାନ୍ତ ଦେବ ଦେଲେ ବୋଧ

ବୋଇଲେ ଏବେ ଆଉ ନ କରେ କେହି କ୍ରୋଧ।

କ୍ଷଣକମାତ୍ରେ ଦିଅନ୍ତୁ ଆମ୍ଭେ ହେଲେ ନାଶି

ଭାବି ବୁଝିଥାଉ ଦୈତ୍ୟଙ୍କର କଥା ବସି ।

ପଞ୍ଚମ ଦିନ ମୁରର ଅଛି ଆଉ ଭୋଗ

ମିଥୁନମାସେ ହୋଇବ ତାର ପ୍ରାଣତ୍ୟାଗ ।

ଶୁଣିଣ ଦେବତାମାନେ ହୋଇଲେ ସନ୍ତୋଷ

ଅନନ୍ତ ପାଦରେ ନମି ଗଲେ ସ୍ଵର୍ଗଦେଶ ।

ଏଥିୁତ୍ତାରେ ନୃସିଂହ ଶେଷ ବେନିଭାଇ

ମନ୍ତ୍ରୀକି ଆଜ୍ଞା ଦେଲେକ ନଗ୍ରେ ଯିବାପାଇଁ ।

କର୍ଣ୍ଣଟେଶ୍ଵର ସହିତେ ସର୍ବେ ହୁଅ ସଜ

ଦୈତ୍ୟ ତ ମଲେଣି ଆଉ ଅଛି କିସ କାର୍ଯ୍ୟ ।

ଶୁଣି ମନ୍ତ୍ରୀବର ଶ୍ରୀ ଆଜ୍ଞା ପରମାଣେ

ଟମକ ବଜାଅ ବୋଲି କହିଲେ ତକ୍ଷଣେ ।

ଶୁଣିଣ ସେ ଟମକିଆ ପିଟିଲା ଟମକ

ନଗ୍ରକୁ ଚାଲ ବୋଲିଣ ଶବ୍ଦ କଲା ହାକ ।

ବୋଇଲାକ ରାତ୍ର ଆସି ହେଲା ଦାଣ୍ଡେ ଏବେ

ଦିହୁଡ଼ି ଯେ ଦୀପହୁଳା ଲଗା ଯାଇ ସର୍ବେ ।

ଏଥିଉତ୍ତାରେ ନୃସିଂହ ଶେଷ ବେନିଭାଇ

ଗରୁଡ଼ ଉପରେ ବିଜେ କଲେ ବେଗେ ଯାଇ ।

ମହୁରୀ ଶଙ୍ଖ ଦମାଲୁ ମେଘା ଢୋଲ ବାଜେ

ଆଡ଼ପ ମଣ୍ଡପୁଁ ଯେହ୍ନେ ବିଜେ ଦେବରାଜେ ।

ବାହୁଡ଼ି ଗୁଣ୍ଡିଚା ବଜେ ଯେହ୍ନେ ଶୋଭା ଦିଶେ

ତେହ୍ନେ ଆସନ୍ତି ବଦ୍ରିକା ନଗ୍ରୁଁ ଜଗଦୀଶେ ।

ଚନ୍ଦ୍ରଉଦିଆ ଦିହୁଡ଼ି ଦୀପ ହୁଳା ଜଳେ

ଦିନରୁ ଅଧିକ ଶୋଭେ ଯାନ୍ତି ଆଦିମୁଳେ ।

ଦୈତ୍ୟର ମରୁଡ଼ି ଯାକ ବାଟେ କଥା ହୋଇ

ହସି ହସି ନଗରେ ସେ ପ୍ରବେଶିଲେ ଯାଇ ।

ଗରୁଡ଼ କନ୍ଧରୁ ଉଠି ପ୍ରଭୁ ଶେଷଦେବେ

ମନ୍ତ୍ରୀକି ବୋଇଲେ ଯାଅ ଯେଝାପୁରେ ଏବେ ।

ଗରୁଡ଼କୁ ବସା ସଞ୍ଚା କରାଇ ବହନ

ଭିତରେ ଗୃହେ ମିଳିଲେ ଯାଇ ଭଗବାନ ।

ପିତା ମାତାଏ ଦେଖିଣ ହୋଇଲେ ହରଷ

ମଣୋହୀକୋଠାରେ ବିଜେ କଲେ ହୃଷୀକେଶ।

ପରଷନ୍ତି ମହାଲକ୍ଷ୍ମୀ ସୁଖାଦ୍ୟ ଆଣିଣ

ମଣୋହୀ କଲେକ ବସି ଅନନ୍ତ ସଙ୍ଗେଣ ।

ଭୁଞ୍ଜିଣ ସେ ଆଚମନ ସାରି ବେନିଭାଇ

ସୁପାତି ଶେଯରେ ବିଜେ କଲେ ତହୁଁ ଯାଇ ।

ଲକ୍ଷ୍ମୀଙ୍କ କୋଳେ ଶୁତିଲେ ପ୍ରଭୁ ନାରାୟଣ

ଖଟିଲେ ଅଷ୍ଟସଖୀ ଯେ ସେବାରେ ଆସିଣ ।

ଚୌଷଠି ସହସ୍ର କନ୍ୟା ଚାମର ଯେ ଧରି

ବସିଲେ ଲକ୍ଷ୍ମୀ ନୃସିଂହ ପାଦେ ସେବାକରି ।

ଈଲା ଠାକୁରାଣୀ ପୁରେ ଶେଷ କଲେ ବିଜେ

ଭଜେ ପୀତାମ୍ବର ଦାସ ଶ୍ରୀପଦ ପଙ୍କଜେ ।

ସୁଜନ ସୁପଣ୍ଡିତ ହେ ସାଧୁ ଜ୍ଞାନ ଦୀକ୍ଷା

ଅନୁସରି ମାଗୋ ମୋତେ ଦିଅ ଭକ୍ତି ଭିକ୍ଷା ।

କି ରୂପେ ଭକତି ହେବ ମାଗୁଛି ତା ଦିଅ

ଏ ଭକ୍ତି ଦେଇଣ ମୋତେ ଦୟା କରିଥାଅ ।

ମାଗୁଛି ଆନ ଭିକ୍ଷା ନ ପୁରେ ପେଟ ଜାଣ

କୁଟୁମ୍ବ ପୋଷିବା ଅର୍ଥେ ମାଗେ ମାତ୍ର ପୁଣ ।

କୁଟୁମ୍ବ ଜଞ୍ଜାଲ ଅଟେ ଏ ଦେହକୁ ମାୟା

ମାୟାରେ ପଡ଼ି ଚିହ୍ନି ନ ପାରେ ବିଷ୍ଣୁ କାୟା ।

ମାଗୁଅଛି ବିକ୍ଷା ମୁହିଁ ସାଧୁ ପଦେ ସେବି

ଭକ୍ତି ଭିକ୍ଷା ଦେଲେ ସଂସାରୁ ମୁଁ ତରିଯିବି ।

ସୁଭକ୍ତ ଜ୍ଞାନ ଧ୍ୟାନ ଏ ତିନି ମୋତେ ଦେବା

ଆନ ଭିକ୍ଷାରେ ଗର୍ଭ ନ ପୁରେ ମୋର ବାବା ।

ଋଷିକୁଲ୍ୟା ନଦୀତୀରେ ଅଟେ ମୋର ମଠ

କୁଟୁମ୍ବ ଜଞ୍ଜାଳେ ପଡ଼ି କଲି କାଳ ନଷ୍ଟ ।

ଯେଉଁ ଦିନ ଖୋରାକ ନ ମିଳେ ଅକସ୍ମାତେ

କୁଟୁମ୍ବ ଆକୁଳେ ମନ ଘାଣ୍ଟି ହୁଏ ନିତ୍ୟେ ।

କୁଟୁମ୍ବ ଆକୁଳ ମେରୁଠାରୁ ଅଟେ ଗରୁ

କେବଳ କାଟେ ମୁଁ କାଳ ହରି ଭଜନରୁ ।

ହରି ମୋର ଅନ୍ନଦାତା ହରି ମୋକ୍ଷଦାତା

ହରି ବିନୁ ତାରଣ ଯେ ନାହିଁ ଆନ କର୍ତ୍ତା ।

ଏଣୁ ସାଧୁଙ୍କୁ ମାଗୁଛି ମୁହିଁ ଜ୍ଞାନ ଭିକ୍ଷା

କୁଟୁମ୍ବ ଜଞ୍ଜାଳୁ ତାରି ମୋତେ କର ରକ୍ଷା ।

ରକ୍ଷାକଲେ ଦୀକ୍ଷା ମୁଁ ପାଇବି ଜ୍ଞାନ ଭକ୍ତି

ପୀତାମ୍ବରକୁ ରଖିବେ ଦେବୀ ସରସ୍ଵତୀ ।

ଅମୃତମଣି ବୃତ୍ତାନ୍ତ

ଏଥୁଅନନ୍ତରେ ପୁଣି ନାରଦ ଯେ ମୁନି

କୃତ୍ୟକୃତ୍ୟ ହୋଇ ପୁଜାକଲେ ପଦ୍ମଯୋନି ।

ବୋଇଲେ ମଲେ ମୁରର ଯେଉଁ ତିନି ଦୈତ୍ୟ

ଗୋଟିକ କଥା ଲାଗିଲା ମୋତେ ଆଚମ୍ବିତ ।

ସୁଉଦାସ ବୋଲି ଯେହୁ ଅଟେ ଦୈତ୍ୟରାଣ

ଅମୃତମଣି ପାଇଲା କାହୁଁ ସେହୁ ପୁଣ ।

ନାନାଦି ରିଷ୍ଟରୁ ବଞ୍ଚିଥିଲା କେତେକାଳୁ

ଅନନ୍ତ ବୋଲି ମାଇଲେ ତାକୁ ଯୋଗବଳୁ

ନାରଦ ଯେ ପଚାରନ୍ତେ ହସି ପଦ୍ମଯୋନି

ବୋଇଲେ କହିବା ତାହା ତେବେ ଶୁଣ ମୁନି ।

ଏହୁ ବଡ଼ କଉତୁକ କଥା ଅଟେ ଜାଣ

ପଚାରିବାରୁ ବୁଝିଛ ତୁମ୍ଭେ ସିନା ପୁଣ ।

ତୁମ୍ଭର ପ୍ରାୟେ ଶ୍ରୋତା ନ ମିଳେ ଚାରିଯୁଗେ

ସୌଦାସର କଥା ଶୁଣ ଯେହ୍ନେ ବର ମାଗେ ।

ପୂର୍ବଜନ୍ମରେ ଏ ଲକ୍ଷେ ବିପ୍ରଙ୍କୁ ଯେ ବରି

ନିତ୍ୟହିଁ ଅନ୍ନ ଭୋଜନ ଦିଏ ପୂର୍ଣ୍ଣକରି ।

ଏମନ୍ତେ ସେ ମାଘମାସ ଦ୍ଵାଦଶୀରେ ପୁଣି

ଭୋଳାରେ ଆମିଷ ଗୃହେ ରନ୍ଧାଇଲା ଆଣି ।

ବିପ୍ରଙ୍କୁ ବସାଇ ପୁଣି ଦ୍ୟନ୍ତେ ଅନ୍ନଗ୍ରାସ

ତହିଁର ସଙ୍ଗତେ ଆଣି ପରଷେ ଆମିଷ ।

ଯେତେକ ବ୍ରାହ୍ମଣ ତହିଁ ସର୍ବେ ସାମବେଦୀ

ନିତିହିଁ ଘରେ ଦିଅଇ ଅନ୍ନ ରାନ୍ଧି ରୁନ୍ଧି ।

ଦୁର୍ଭାଗ୍ୟ କର୍ମରୁ ବୁଦ୍ଧି ହ୍ଵନ୍ତେ ବାମ ଜାଣ

ରନ୍ଧାଇଲା ସେଦିନ ହେ ଆମିଷ ତିଉଣ ।

ଅନ୍ନତୁଲେ ସେ ଆମିଷ ଦ୍ୟନ୍ତେ ଆଣି ଥୋଇ

ଉଠିଲେ ବ୍ରାହ୍ମଣେ ତାହା ଦେଖି କ୍ରୋଧ ହୋଇ ।

ବୋଇଲେ ଆରେ ପାପିଷ୍ଠ କଲୁ କେଡ଼େ କୃତ୍ୟ

କି ବୋଲି ଆମିଷ ଦେଲୁ ମିଶାଇ ତୁ ଭାତ ।

ଏ ପାପେ ତୋର ରେ ନାହିଁ ଆନ ପ୍ରତିକାର

ଯାଅ ଆରେ ସଉଦାସ ହୁଏ ତୁ ଅସୁର ।

ଏହିରୂପେ ଶାପଦେଇ ଯାନ୍ତେ ବିପ୍ରମାନେ

ମରା ଉତ୍ତାରୁ ଜନ୍ମ ସେ ହେଲା ଦୈତ୍ୟଗଣେ ।

ଆସୁର ବୁଦ୍ଧି ଧରିଣ ବହୁ ପାପ କଲା

ବ୍ରାହ୍ମଣ ଗୋରୁ ଆଦି ସେ ସବୁ ସଂହାରିଲା ।

ଏ ରୂପେ ସେ କେତେଦିନ ମନେ ବୁଦ୍ଧି ପାଞ୍ଚି

ତପସ୍ୟା କରିଣ ଏବେ ସେବିବି ବିରଞ୍ଚି ।

ଏତେ ବିଚାରି ଦଇତ୍ୟ ତପେ ମନ କଲା

ନୈମିଷା ଅରଣ୍ୟେ ପଶି ଧାତାଙ୍କୁ ସେବିଲା ।

ପିପାସା ଯେ କ୍ଷୁଧା ନିଦ୍ରା ଦେଲା ସବୁ ଛାଡ଼ି

ଭାରିଯା ମୁହାଁସ ଆଦି ମନରେ ନ ଲୋଡ଼ି ।

ଏ ରୂପେ ସେ କେତେ କାଳ ବସି ତପ କଲା

ତେବେ ଧାତାର ଆସନ ପୁଣି ନ ଟଳିଲା ।

ତା ଦେଖି ଦଇତ୍ୟ ଉଠି ବିଚାରିଲା ପୁଣି

ତାହାର ଉଚ୍ଚେ ଖୋଳିଲା ଭୂମି ଶାସ୍ତ୍ର ଆଣି ।

ତହିଁ ପଶିଣ ପୋତିଲା ତାହାର ଯେ ଗାତ୍ର

କେବଳ ନାସିକା ଚକ୍ଷୁ ଦିଶେ ଏକ ମାତ୍ର ।

ଭଜୁଥାଇ ଧାତା ନାମ ମୁହୂର୍ତ୍ତେ ନ ଛାଡ଼ି

ନ ଖାଏ ଅନ୍ନ କିଛି ସେ ମନ୍ତ୍ର ଏକା ପଢ଼ି ।

ଏ ରୂପେ ପୋତିହୋଇ ସେ ମନ୍ତ୍ର କରେ ଜପ

ସହସ୍ର ବରଷେ ତୃଣପରି ହେଲା ରୂପ ।

ନିର୍ଜୀବ ପ୍ରାୟେ ହୁଅନ୍ତେ ଆସି ପରମେଷ୍ଠୀ

ଚାହିଁଲେ ଭୂମିରେ ପୋତି ହୋଇଛି କାୟାଟି ।

କଢ଼ାଇ ମୃତ୍ତିକା କଲେ ବାହାର ତା ଦେହ

ପାଣି ମୁଠାଏ ମନ୍ତ୍ରୀ ସିଞ୍ଚିଦେଲେ ପିତାମହ ।

ଚେତନା ପାଇ ଦଇତ୍ୟ ଡାକିଲେ ଧାତାକୁ

ବୋଇଲା କିମ୍ପା ଭାଙ୍ଗିଲା ଆସି ତପସ୍ୟାକୁ ।

ବିଧାତା ବୋଇଲେ ବସି ତୁ ଯାହାକୁ ଭଜ

ସେଜାଣି ଆସିଲେ ବିଜେ କରି ତୋର କାର୍ଯ୍ୟ ।

ଅସୁର ବୋଲେ ଭଜନ ମୋର ଅଷ୍ଟବାହୁ

ବ୍ରହ୍ମାର ବିନେ ମୁହିଁ ନ ଜାଣେ ଆନ କେହୁ ।

ମନ୍ତ୍ରକୁ ସାଧୁ ସାଧୁ ଏ ଦେହ ଅବା ଯିବ

ଏ ବେନି କଥା ବୁଝି ସେ ରଖିବେ ଦଇବ ।

ବିଧାତା ବୋଇଲେ ଆମ୍ଭେ ବ୍ରହ୍ମା ଏକ ଅଟୁ

ଆସିଛୁ ବର ଦେବାକୁ ଧରି କୁଶବଟୁ ।

ଦେଖରେ ମୋହର ଏବେ ଚାରୋଟି ଲପନ

ଅଷ୍ଟଭୁଜ ଅଷ୍ଟ ଆଖି ଆଠଗୋଟି କର୍ଣ୍ଣ ।

କନ୍ଧରେ ଯେ ଯଜ୍ଞସୂତ୍ର ହସ୍ତେ ଜପାମାଳି

ସବୁଙ୍କୁ ମୁଁ ଭୋଗ ଦେଇଅଛି ପ୍ରତିପାଳି ।

ହରିମନ୍ଦିର ଚେତା ମୋ ନାସୁ କେଶ ଯାଏ

ବ୍ରହ୍ମା ସମ୍ପ୍ରଦା ତିଳକ ପ୍ରସିଦ୍ଧ ନାମ ଏ ।

ଏ ତିଳକ ଘେନି ବ୍ରହ୍ମା ସମ୍ପ୍ରଦାର ଗୁରୁ

ମାଗିଲେ ବର କ୍ଷଣକେ ଆମ୍ଭେ ଦେଇ ପାରୁ ।

ଏ ରୂପେ କହନ୍ତେ ବ୍ରହ୍ମା ଚିହ୍ନିଲା ସୌଦାସ

ବୋଇଲା ନିଶ୍ଚେ ଅଟନ୍ତି ଏହୁ ଲୋକଈଶ ।

ଏ ରୂପେ ଚିହ୍ନି ନମିଲା ଦୈତ୍ୟ ପିତା ପାଦେ

ବୋଇଲାକ ବିଜେ କଲେ ବସି ହଂସ ହୃଦେ ।

ବ୍ରହ୍ମା ବୋଇଲେ ତୁହି ରେ ମାଗୁଛୁ କି ମାଗ

ଯାହାକୁ ମାଗିବୁ ତାହା ଦେବା ଆମ୍ଭେ ଆଗ ।

ଦୈତ୍ୟ ବୋଇଲା ଆମର କରି ମୋତେ ରଖ

ଯାଚି ବର ଯେବେ ଦେଲ ଆହେ ଚତୁର୍ମୁଖ ।

ବ୍ରହ୍ମଣମାନଙ୍କ ଶାପୁଁ ଯିବି ମୁହିଁ ତରି

ଆବର ବର ମାଗୁଛି ଦିଅ ମୁଖ ଚାରି ।

ଯେତେକାଳ ବଞ୍ଚିବି ମୁଁ ତ୍ରିଜୀବୀ ହୋଇବି

କାହାର ହସ୍ତରେ ମୁହିଁ କେବେ ନ ମରିବି ।

ବିଧାତା ବୋଇଲେ ଶୁଣ କହିବା ତା ଏବେ

ଜନମ ହେଲେ ଶରୀର ଛାଡ଼ନ୍ତି ସେ ସର୍ବେ ।

କେହୁ ଦଶ ବିଂଶେ କେହୁ ବାରବର୍ଷେ ମରେ

କେହୁ ଅବା ମରେ ଯାଇ ଷାଠିଏ ବର୍ଷରେ ।

ଶ୍ରୀବିଷ୍ଣୁ ପରା ସ୍ଵାମୀ ଏ ମହୀରେ ଜନ୍ମିଲେ

ସେ ପୁଣି ଚଳନ୍ତି ଲୀଳା ସାରି ମନ ହେଲେ ।

ଆଉ କଥାଏ କହିବା ମଧ୍ୟ ତୋତେ ଶୁଣ

ବ୍ରାହ୍ମଣମାନଙ୍କ ମହିମାଟି ଯେଡ଼େ ପୁଣ ।

ଗୋବିନ୍ଦଠାରୁ କେ ବଡ଼ ବ୍ରହ୍ମାଣ୍ଡରେ ନାହିଁ

ସେ ପୁଣି ବିପ୍ରର ପାଦ ହୃଦେ ଛନ୍ତି ବହି ।

ଶ୍ରୀବିଷ୍ଣୁ ପରା ପ୍ରଭୁ ସେ ବିପ୍ର ପାଦଘାତେ

ବିହ୍ନକୁ ଲିଭାଇଣ ନ ପାରେ କଦାଚିତେ ।

କହିବା ଏବେ ତୋତେ ସେ କଥା ଆରେ ଶୁଣ

ଭାଗ୍ୟରୁ ମୋତେ ଯେ ଭେଟ ପାଇଲୁ ତୁ ଜାଣ।

ଅମୃତମଣି ଦେଉଛି ତୋତେ ଏବେ ନିଅ

ତାର ନାଭିରେ ଥୋଇ ତୁ ଗୁପ୍ତେ ରଖିଥାଅ ।

କାହାକୁ ଗୋଚର ତୁହି ନ କରିବୁ ଏହା।

ମରିବୁ ତୁ ଯାହା ହାତେ କହିବା ଯେ ତାହା ।

ନୃସିଂହ ମହାପ୍ରଭୁ ଯେ ହେବେ ଅବତାର

ଜନ୍ମିବେ ତାହାଙ୍କ ସଙ୍ଗେ ଅନନ୍ତ ଆବର ।

ସେ ପ୍ରଭୁ ତୁଲେ କରିବୁ ଯେବେ ତୁହି ଯୁଦ୍ଧ

ଅବଶ୍ୟ ତାହାଙ୍କ କରେ ହେବୁ ପ୍ରାଣେ ବଧ ।

ନାଭିଖୋଳି କେ ଯେହ୍ନେ ନ ନେବ ମଣିକୋଷ

ଏଥକୁ ତୁ ଲୟ କରିଥିବୁ ସଉଦାସ ।

ଅସୁର ବୋଲେ ଅପାର କାଳର ଏ କଥା

ଆନକେ ମାରି ମୋତେ ନ ପାରେ ଏ ବ୍ୟବସ୍ଥା।

ବିଧାତା ବୋଇଲେ ବର ଦେଲଇ ମୁଁ ଯେତେ

ଆନର ହାତେ ତୋ ମୃତ୍ୟୁ ନାହିଁ କଦାଚିତେ ।

ଏ ରୂପେ କହି ହସିଲେ ବ୍ରହ୍ମା ହଂସ ପିଠି

ପୁଣି ନାରଦ କହନ୍ତି ପୁଣ ପରମେଷ୍ଠୀ ।

ସୌଦାସ ଦୈତ୍ୟର କଥା ଏ ରୂପେ ଯେ ଜାଣ

କହିବା ମୁର ଦୈତ୍ୟର କଥା ଏବେ ଶୁଣ ।

ଏ ରୂପେ ରାଜାର ଜାଣ ମରୁ ସେନା ତିନି

ଆସିଲେ ଦୂତମାନେ ଯେ ମଲା ବାର୍ତ୍ତା ଘେନି ।

ମୁରର ଆଗେ କହିଲେ ଯାଇ ବସି ଚାର

ବୋଇଲେ ତିନିସେନା ତ ଗଲେ ଯମପୁର ।

ମାଇଲେ କୃଷ୍ଣବଲ୍ଲଭ ପୋଏ ମଲ୍ଲଯୁଦ୍ଧେ

ପଡ଼ିବାରୁ ଘାତେ ବନ ଭାଜିଗଲା ଆଧେ ।

ଶୁଣିଣ ବୋଲେ ରାଜାରେ କିସ ଆସି କହୁ

ସୌଦାସକୁ ମାରିବାକୁ ଏ ସଂସାରେ କେହୁ ।

କେଡ଼େବଡ଼ କ୍ଷତ୍ରିକି ରେ ମାଇଲାକ ରଣେ

ଅମର ବର ପାଇଛି ସେହି ମୁହିଁ ଜାଣେ ।

ଦୂତେ ବୋଇଲେ ପୋଡ଼ିଲେ ତାର ନାଭିମୂଳ

ପାଦକୁ କାଢ଼ିଣ ପିଙ୍ଗି ଦେଲେ ମଣିଶିଳ ।

ନୃସିଂହର ସାନଭାଇ ଅନନ୍ତଟି ଯେହୁ

ସୌଦାସର ମୃତ୍ୟଭେଦ ପାଇଲେ ସେ କାହୁଁ ।

ବଜ୍ରଶକତି ଧରିଣ ନାଭି ଦେଶ ଫୋଡ଼ି

ଅମୃତମଣ ଗୋଟିକ ଦେଲେ ଯହୁଁ କାଢ଼ି ।

ତେବେ ହେଁ ସେ ମୃରାସୁର ମନେ ପ୍ରତେ ଗଲା

କହିବା ମାର୍ଗୁ ମୋତେ ସେ ଏବେ ଜଣାଗଲା ।

ମନରେ ବସିଣ ଚିନ୍ତାକଲା ରାଜା କାନ୍ଦି

ବୋଇଲା ଘରେ ରହିଲି ବ୍ୟର୍ଥେ ମୁହିଁ ବନ୍ଦି ।

ଆରେ ଆରେ କାଳକେତୁ ଆରେ ବୀରବାହୁ

ଆହାରେ ତୁ ସଉଦାସ ରେଣେ ଅଟୁ ରାହୁ ।

କେତେ ହେଁ କାଳରୁ ମୋତେ ଥିଲ ସେବା କରି

ବ୍ରାହ୍ମଣ ହସ୍ତରେ ଏବେ ବ୍ୟର୍ଥେ ଗଲ ମରି ।

ଯେବଣ ବିପ୍ରମାନେ ଯେ ଧରି ଶ୍ରୁବ ଦଣ୍ଡ

ଅଗ୍ନିରେ ପକାନ୍ତି ମନ୍ତ୍ର ପଢ଼ି ଘୃତଭାଣ୍ଡ ।

ଘୃତେ ଅଗ୍ନି ଲାଞ୍ଛି ବୋଲୁଥାନ୍ତି ସ୍ଵାହା ସ୍ଵାହା

ସ୍ଵାହା କେ ଅର୍ଥ କରି ନ ପାରେ ନରଦେହା ।

ବ୍ରାହ୍ମଣେ ମାତ୍ର ବୋଲନ୍ତି ସ୍ଵାହା ପଢ଼ି ମନ୍ତ୍ରେ

କରିଣ ଅର୍ଥ ତାହା ନ ପାରେ କେହି ଗାତ୍ରେ ।

ସ୍ଵାହା ବେନିକ୍ଷର ଜୀବ ପରମ ଯେ ଅଟେ

ଏ କଥା ଚିହ୍ନି କେହି ନ ପାରେ ସର୍ବଘଟେ ।

ସ୍ଵାହା ବେନିକ୍ଷର ସବୁରି ଆତ୍ମା ଜାଣ

ଏ ଅକ୍ଷର ତତ୍ତ୍ଵ କେହି ନ ଜାଣେ ବ୍ରାହ୍ମଣ ।

ବ୍ରହ୍ମାର ପୁତ୍ର ମୁଁ ଜାଣିଅଛି ବେଦପଢ଼ି

ଖୋଜିଲେ ପାଇବ ଯଜୁର୍ବେଦ ଏହା ଲୋଡ଼ି ।

ଅଗ୍ନିରେ ଘୃତ ଦେଇଣ ବୋଲନ୍ତି ଯେ ସ୍ଵାହା

ସ୍ଵାହା ନ ଚିହ୍ନେ ବ୍ରାହ୍ମଣ ହୋନ୍ତି କ୍ରୋଧେ ଠିଆ ।

ଏମନ୍ତ ବିପ୍ର ହାତରେ ମଲ ତୁମ୍ଭେ ଯାଇ

ତୁମ୍ଭର ମୃତ୍ୟୁ ଶୁଣି ମୋ ଦେହ ସହୁନାହିଁ ।

କାହାଣ ପଣେ ମାଗିବା ଲୋକଙ୍କ ହାତରେ

ତୁମ୍ଭପରା କ୍ଷତ୍ରୀ ହୋଇ ମଲ ସଂଗ୍ରାମରେ ।

ରାଜାର ଏ ବିପ୍ରନିନ୍ଦା ଶୁଣି ଶୁକ୍ରଗୁରୁ

ପାଞ୍ଚନ୍ତି ଏଡ଼େ ମୂର୍ଖ କେ ନାହିଁ ମୁରଠାରୁ ।

ଯେବଣ ବିପ୍ରକୁଳ ଏ ପୃଥ୍ଵୀକୁ ପବିତ୍ର

କରନ୍ତି ଯେ ଆଶୀର୍ବାଦ ବହି ଯଜ୍ଞସୂତ୍ର ।

କୁଶାଗ୍ରେ ପାଣି ଦେଇ ଯେ ସମସ୍ତ ତାରନ୍ତି

ବିପ୍ର ପଦରଜ ଘେନି ସକଳେ ତରନ୍ତି ।

ବିପ୍ରଙ୍କ ପଦରଜ ନ ପଡ଼େ ଯାର ଘରେ

ସର୍ପ ଗୃହ ପ୍ରାୟେ ସେହି ଦିଶେ ବ୍ରହ୍ମାଣ୍ଡରେ ।

ବିପ୍ର ସନ୍ତୋଷରୁ ଲକ୍ଷ୍ମୀ ସନ୍ତୋଷ ହୁଅନ୍ତି

ଏମନ୍ତ ବିପ୍ରଙ୍କୁ ମୂର୍ଖେ ଯାଚକ ବୋଲନ୍ତି ।

ପାପିଷ୍ଠ ଚାଣ୍ଡାଳ ଅସୁରାଦି ଯେତେ ଲୋକ

ସେମାନେ ବ୍ରାହ୍ମଣ ନିନ୍ଦା କରନ୍ତି ଅନେକ ।

ଅସୁର ଜାତି ସିନା ଏ ମୃରାସୁର ବୁଦ୍ଧି

ବିପ୍ର ନିନ୍ଦାକରି ମନେ ହେଲେ କ୍ରୋଧେ ଧନ୍ଦି ।

ଏବେ ବସି ଶୋକ କହୁଅଛି ପରପାଇଁ

ଏ ମଲେ କାନ୍ଦିବ କିଏ ଏହା ନ ଜାଣଇ ।

ବୁଝିଲେ ତ ଅଣଞ୍ଚାଶ ଦିନ ଅଛି ବର୍ତ୍ତି

ଏ ରୂପେ ପାଞ୍ଚି ପ୍ରହୋଧି ଶୁକ୍ର କହୁଛନ୍ତି ।

ବୋଲନ୍ତି ଭୋ ରାଜନ ନ କର ଆଉ ଚିନ୍ତା

ଏ କଥା ସଭିଙ୍କି ସୃଜି ଅଛନ୍ତି ବିଧାତା ।

କେ ଅବା ଆଗେ କେହୁ ବା ପଛେ ଯାଏ ମରି

ସଂସାରେ ଚିର ହୋଇ କେ ନାହିଁ ଦେହ ଧରି ।

ରାଜା ବୋଇଲେ କହିବି ଶୁଣ ଗୁରୁଦେବ

ସେନାଙ୍କୁ ଚାହିଁ ପାଶୋରି ଥିଲି ମୁହିଁ ସର୍ବ ।

ଏହାଙ୍କୁ ଘେନି ବ୍ରହ୍ମାଣ୍ଡେ ମୁହିଁ ଅଧିକାରୀ

ଏ ମୋତେ ଘରେ ରଖିଣ ଗଲେ ଆଗ ମରି ।

ଏହାଙ୍କୁ ଘେନି ଜଗତେ ଗଲେ ମୁହିଁ ଜିଣି

ବୃଦ୍ଧି ବସିଲି ଅଧିକ ହୋଇ ଘରେ ପୁଣି ।

କେତେହେଁ ଯେ ଅପଘାତ ପଡ଼ିଲାଣ ମୋତେ

କି ଅବା ଲୋକରେ ଦ୍ରୋହ ଅର୍ଜିଲି ଜଗତେ ।

ଏ ରୂପେ ବୋଲି ଚାହିଁଲା ରାଜା ଚଉଦିଗେ

ବାତଚକ୍ର ପ୍ରାୟ ମନ ଭ୍ରମଇ ଆତଙ୍ଗେ ।

ବୋଇଲା ସଭାରେ କିସ ହେବ ଆଉ ବସି

ଦେଖନ୍ତେ ପାଶରୁ ଗଲେ ଦଶ ସେନା ଖସି ।

ତେରପଦ୍ମ ସୈନ୍ୟ ଆଉ ବରଲକ୍ଷ ଗଜ

ଅର୍ବୁଦେକ ଲମ୍ବଗ୍ରୀବ ହେଲେ ପ୍ରାଣତ୍ୟାଗ ।

ସତରଲକ୍ଷ କୁମର ନବଲକ୍ଷ ନାତି

ପାହାରି ଯେ ଚାରିଲକ୍ଷ ହେଲେ ବିନଶ୍ୟତି ।

ବ୍ରାହ୍ମଣ କୁଳରେ ଜନ୍ମି ସେହି ବେନିଭାଇ

ମାଇଲେ ସେନାଙ୍କୁ ମୋର ବଦ୍ରିକା ରେ ଥାଇ ।

ଏତେ ସଙ୍କଟରେ କେହୁ ହେବ ମୋତେ ସାହା

ରାଜ୍ୟ ଅଧେ ଦେଇ ତାକୁ କରନ୍ତି ମୁଁ ନାହା ।

କାଳଘଣ୍ଟ, ବୀରଘଣ୍ଟ, ରଣଚଡ଼ ଓ ବଜ୍ରମାଳୀର ଯୁଦ୍ଧ ଏବଂ ମୃତ୍ୟୁ

ଏ ରୂପେ ସେ ରାଜା ମୁଖୁ ଶୁଣି ଚାରିସେନା

ପ୍ରତିଜ୍ଞା କରି ଟେକିଲେ ଗଜ ବୀରବାନା ।

ସେ ଚାରିସେନାଙ୍କ ନାମ ଶୁଣ ତପିସାଇଁ

ବୀରଘଣ୍ଟ କାଳଘଣ୍ଟ ରଣଚଡ଼ କହି ।

ଆବର ବଜ୍ରମାଳୀ ଏରୂପେ ଚାରି ବୀର

ମୋଡ଼ିକରି ନିଶମାନ ଉଠିଲେ ତତ୍ପର ।

ତଳେ ହାତ ପିଟି ସଭା ମଧ୍ୟେ ଘୁମୁରନ୍ତି

ବୋଲନ୍ତି ବସି ନ କରୁ କିମ୍ପା ରାଜନୀତି ।

ଯାହାର ଆଜ୍ଞାରେ ଆସି ଦଶଦିଗ ପାଳେ

ଖଟନ୍ତି ଖଟଣିକାର ହୋଇ ପାତତଳେ

ବିଧାତା ଯେ ନିତ୍ୟ ଆସି ଭେଟି ତୋତେ ଯାନ୍ତି

ତୋତେ ନ ପୁଚ୍ଛି ସଂସାର ସେହି ନ ସୃଜନ୍ତି ।

ଯହିଁରେ ସଦାଶିବଟି ଶିବଗଣେ ଆଣି

ତୋତେ ସେହୁ ଭେଟିଗଲେ ହ୍ଵନ୍ତି ଦେହପାଣି ।

ବାସବ ତୋହର ପୁଣି ଅଟେ ବଶବର୍ତ୍ତୀ

ଦେବକୁଳ ଘେନି ତୋର ସେବାରେ ଯେ ଥାନ୍ତି।

ଦଶଗୋଟି ସେନା ତୋର ମଲେ ସିନା ଯାଇ

ମୁର୍ଦ୍ଧନା ସେନା ଯେ ଆମ୍ଭେ ଅଛୁ କେତେ ରହି ।

ଆମ୍ଭେମାନେ ଥାଉଁ ଥାଉଁ ଏଡ଼େ ଚିନ୍ତା ତୋର

ନ ପେଶି ଆମ୍ଭଙ୍କୁ କିମ୍ପା ଭାବୁଛୁ ପ୍ରଚୁର ।

ବାଳକାଳୁ ଆମ୍ଭେ ସେବି ରହିଅଛୁ ତୋତେ

ଭୁଞ୍ଜିଲୁ ଭୋ ରାଜଭୋଗ ତୋ ପ୍ରସାଦୁ ନିତ୍ୟେ।

ଏବେ ତୋତେ ଅସମୟ ପଡ଼ିଲାରୁ ଆସି

ଚିନ୍ତା କରି ବସିଅଛୁ ଆମ୍ଭଙ୍କୁ ନ ପେଶି ।

କ୍ଷତ୍ର ଦୃତ୍ତି ଲୋକର ଯେ ଯୁଦ୍ଧ ଏକା ମୂଳ

ଯୁଦ୍ଧରେ ମଲା ଲୋକକୁ ନ ହେବ ବିକଳ ।

ଗଙ୍ଗାସ୍ନାନ ଫଳ ଭଲେ ଯୁଦ୍ଧେ ମଲେ ପ୍ରାଣୀ

ସେହୁ ଯେତେ ପୁଣ୍ୟ ଲଭେ କେ ପାରିବ ଗଣି ।

 

ଜ୍ଵର ରୋଗ ବ୍ୟାଧି କରି ମରନ୍ତି ଯେ ଲୋକେ

ହରିନାମ ଧରି ମଲେ ତାର ବେଦବାକ୍ୟେ ।

ନୋହିଲେ ତ କୁମ୍ଭୀପାକେ ପଡ଼ଇ ସେ ଜାଣ

ଏ କଥା ପୁରାଣେ ଲେଖିଛନ୍ତି ମୁନିଗଣ ।

ନୋହିଲେ ସେ ନାରାୟଣ ସ୍ମରି ମରିଥିଲେ

ସେହି ଲୋକେ ତରିଯାଏ ସଂସାରୁ ଭଲେ ।

ପୁଣି ସଂସାରେ ବୋଲନ୍ତି ଯାକୁ ସର୍ବେ ଭଲ

ତାହାର ଜୀବନ ଏକା ଅଟଇ ଅମୂଲ୍ୟ ।

ଦିନେ ମାତ୍ର ଜୀଇଁ ଥିଲେ ସାର୍ଥକ ତା ପ୍ରାଣ

କେ ହେବି ହିଂସ୍ରକ ଜୀଇଁଥିଲେ ସଂସାରେଣ ।

ମଧୁକୈଟଭ ବୋଲି ଯେ ଥିଲେ ପୂର୍ବେ ଜନ୍ମି

ତାହାଙ୍କ କୀର୍ତ୍ତି ରହିଛି ଦେଖ ଏହି ଭୂମି ।

ସେ ମଧୁକୈଟଭ ହଲେ ବିଷ୍ଣୁଠାରେ ବାଦୀ

ମାରି ଜଗନ୍ନାଥ ତାଙ୍କୁ କରିଦେଲେ ମେଦି ।

ପ୍ରଳୟ ଜଳରେ ମାଡ଼ି ଦେଲେ ତାକୁ ଥୋଇ

ଲେଉଟି ପ୍ରଳୟ ଯାଏ ରହିଲା ତା ଦେହୀ ।

ଶରବନ୍ତ ଲୋକ ମୃତ୍ୟୁ ଭୟ ନ କରନ୍ତି

ଆତ୍ମାକୁ ସେ ତୃଣ ପ୍ରାୟେ ମଣି ଯୁଦ୍ଧେ ଯାନ୍ତି ।

କ୍ଷତ୍ରିୟ ଲୋକ ଯେତେକ କାଳ ଜୀଇଁଥାଇ

ତେତିକି ତାହାଙ୍କୁ ଶତେ ବରଷ ଅଟଇ ।

ମାରିବା ମରିବାକୁ ନ ଡରେ ଯେଉଁ କ୍ଷତ୍ରୀ

କ୍ଷତ୍ରୀ ଉପରେ କ୍ଷତ୍ରୀ ସେ ଅଟେ ମହାକ୍ଷତ୍ରୀ ।

ଆମ୍ଭେମାନେ ଥାଉଁ ଥାଉଁ କି କରିବ ତୋତେ

ଶ୍ରୀଆଜ୍ଞା ଦେଲେ ଚଳିବୁ ଆମ୍ଭେ ଯେଝାମତେ ।

ବଦରିକା ପଲ୍ଲୀଖଣ୍ଡ ଟାଳି ପକାଇବୁ

ଜନପଦେ ଜଣେ କରି ଆଉ ନ ରଖିବୁ ।

ବୁଝିଲେ ତୋହର ସିନା ଅଟଇ ସେ ମହୀ

ଏକାଙ୍ଗ ଚକ୍ରବର୍ତ୍ତୀ ତୁ ଅଟୁ ନୃପସାଇଁ ।

ଚଉଦପୁରେ ଚମକ ପଡ଼େ ନାମ ତୋର

ମୁର୍ଦ୍ଧନା ଅଭିଷେକୀ ତୁ ଅଟୁ ନୃପବର ।

ଆମ୍ଭଙ୍କୁ ପେଶି ଦିଅନ୍ତି ଯେବେ ଦଣ୍ଡଧାରୀ

ଶତ୍ରୁଙ୍କୁ ଯାଇଣ ତୋର ଆସନ୍ତୁ ସଂହାରି ।

ଏ ରୂପେ କହନ୍ତେ ରାଜା ଆଗେ ବୀରଘଣ୍ଟ

ଶୁଣିଣ ସେ ମୃରାସୁର ମନେ ହେଲା ହୃଷ୍ଟ

ବୋଇଲା ତୁମ୍ଭ ର ପରାକ୍ରମ ମୋତେ ଜଣା

ଆଗମ କଥା ତୁ ପାରୁ କରିଣ କଳନା ।

ବଦ୍ରିକା ନଗ୍ରକୁ ଯାଇ କର ବେଗେ ଧ୍ଵଂସ

ନୃସିଂହ ବେନି ଭାଇଙ୍କୁ ଶ୍ରୀଘ୍ର ମାରିଆସ ।

ସଙ୍ଗରେ ଯେ ଆଶୀଲକ୍ଷ ନିଅ ମତ୍ତହସ୍ତୀ

ବାରପଦ୍ମ ଅଶ୍ଵ ତେରପଦ୍ମ ଯେ ପଦାତି ।

କୋଦାଳ କୋଡ଼ିଆ ଶାବଳିଆ ମାଟିହଣା

ଦୁଆଡ଼ ଖଣନ୍ତି କାଙ୍କ ଭୂଷଣ୍ଡି ଫର୍କନ୍ତା ।

ଏ ଶସ୍ତ୍ର ଧରି ବେIଠିଆ ବାରଲକ୍ଷ ଯାନ୍ତୁ

ବଦ୍ରିକା ନଗର ଭାଙ୍ଗି ଶୂନ୍ୟ କରିଦ୍ୟନ୍ତୁ ।

ଉଜାଡ଼ି ତା ଦେଶ ଘୋଷ ଧ୍ଵଂସ କରିଦିଅ

ମାରିଣ ବ୍ରାହ୍ମଣ ଯାକ ଆସି ମୋତେ କହ ।

ବଲ୍ଲଭ ପୁତ୍ରକୁ ଆଗ ବାନ୍ଧି ଧର ବଳେ

ପାଷାଣ ମଡ଼ାଇ ଦିଅ ନେଇ ଗଙ୍ଗା ଜଳେ ।

ଆସିବ ନୃସିଂହ ବେନଭାଇ ଯେବେ ମାରି

ତେବେ ପୃଥ୍ଵୀରେ ଭୁଞ୍ଜିବ ରହି ଭୋଗ ଶିରୀ ।

ଶୁଣିଣ ସେନାମାନେ ଯେ ଯୋଡ଼ି ବେନିକର

ବୋଇଲେ କେଉଁ ଭୋଗ ନ ଭୁଞ୍ଜୁ ଏବେ ତୋର।

ଏଥୁ ଅଧିକେ ଭୋଗ ନ ମିଳୁ ପଛେ ଆଉ

କି ରୂପେ ଶତ୍ରୁ ତୋହର ଶୀଘ୍ରେ କ୍ଷୟ ଯାଉ ।

ଏ ରୂପେ ବୋଲିକରି ଯେ ଗଲେ ଚାରି ବୀରେ

ଆଗରେ ଚାଲନ୍ତି ଅଶ୍ଵ ଗଜ ଧୀରେ ଧୀରେ ।

ହସ୍ତୀଙ୍କର ଘଣ୍ଟା ଘଣ୍ଟା ଶୁଭେ ଘୋରଧ୍ଵନି

ବହେ ମଧୁଧାର ଗଜ କପାଳରୁ ପୁଣି ।

ଟୋପା ଟୋପା ଖସିପଡ଼ି ଯାଉଅଛି ତଳେ

କର୍ଦ୍ଦମ ହୁଅଇ ଧୂଳି ଉଡ଼ି ବାୟୁବଳେ ।

ହସ୍ତୀମାନଙ୍କର ଘଣ୍ଟା ଶବ୍ଦ କରେ ଟାଣ

କାହାର ପିଠରେ ରୂପା ପଲଙ୍କ ଭୂଷଣ ।

କାହାର ପିଠିରେ ଦମା କରୁଅଛି ଶବ୍ଦ

କାହାର ପିଠିରେ ଘଣ୍ଟ କରେ ଘୋର ନାଦ ।

କେ ଅଶ୍ଵ ଉପରେ କେହୁ ହସ୍ତୀ ଉପରେଣ

ଘାଗୁଡ଼ି ବାନ୍ଧି ଚାଲଇ କରି ରୁଣଝୁଣ ।

କେ ଶ୍ୱେତବର୍ଣ୍ଣ ପାଣ୍ଡୁର ବର୍ଣ୍ଣ କେହୁ ଦିଶି

କେ କଳା ଶ୍ୟାମଳ କେହୁ ବଉଳା ପ୍ରକାଶି ।

ଧରିଣ ଅଙ୍କୁଶମାନ ମାହୁନ୍ତେ ପ୍ରତାପୀ

କେ ତଳେ ଗମଇ କେହି ଆକାଶକୁ କ୍ଷେପ ।

ଏହି ରୂପେ ବାହାରନ୍ତେ ଅଶୀଳକ୍ଷ ଗଜ

ତହିଁର ପଛେ ଚାଲନ୍ତି ଅଶ୍ଵେ ହୋଇ ସଜ ।

ରଙ୍ଗବର୍ଣ୍ଣ ଶ୍ୟାମବର୍ଣ୍ଣ ଅଟେ କାହା ଜ୍ୟୋତି

ଶଙ୍କିଆ ନାରଙ୍ଗୀ କେହୁ ଗୌରବର୍ଣ୍ଣ ମୂର୍ତ୍ତି ।

କେଦାର ନାଗବନ୍ଧ ଯେ ମଣ୍ଡଣି କା କାନ୍ଧେ

କନକମୃଗ ଚାମର ଶିରେ ହାର ଛନ୍ଦେ ।

ଶ୍ଵେତ କୃଷ ଚାମର ହେ ହୃଦେ ମାଳ ମାଳ

କନକାଜାଲି କମରେ ଖଞ୍ଜା କଢ଼ିଆଳ ।

ପିଠିରେ ଦାନ୍ତ୍ରର ଖଞ୍ଜା ନାଗବନ୍ଧ ପଡ଼ି

ପାଦୁକା ଶିଉଳି ଲୋକ ଲମ୍ବେ ଯୋଡ଼ି ଯୋଡ଼ି ।

ଘାଗୁଡ଼ି ଯେ ପୁଞ୍ଜି ପୁଞ୍ଜି ଘଣ୍ଟା ରୁଣଝୁଣ

ଚାଲନ୍ତେ ତିନିପୁର ଯେ କମ୍ପେ ଶବଦେଶ ।

ପାଟରେ ଜଗବନ୍ଧ ଯେ ନାଗବନ୍ଧ ରଜ୍ଜୁ

ମଣ୍ଡଣି ଚାରିପାଶରେ ସ୍ଵର୍ଣ୍ଣଜରୀ ସାଞ୍ଜୁ ।

ରାଉତଗଣ ବିଚିତ୍ର ବେଶଭୂଷା ହୋଇ

ଚାଲୁଛନ୍ତି ପାଟ ପାଗ ମୁଣ୍ଡେ ଭିଡ଼ିଦେଇ ।

ତରଆଲ ଛୁରୀ ଖଣ୍ଡା ଯମଦାଢ଼ ଧରି

ବାବଲ ଧନୁ କମାଣ ତୀର ଯେ କତୁରୀ ।

ବାଗରର୍ଜ୍ଜୁ ଧରି କରେ କଷଣୀ ଯେ ଛାଟ

କେବଣ ଅଶ୍ୱ ଚାଲଇ ଚମକି ଚୌପଟ ।

ପୁଞ୍ଜା ପୁଞ୍ଜା ହୋଇଣ କେ ଗମେ ତଡ଼ବଡ଼

କେ ପାଦଗତିରେ ଧାଇଁ ଚାଲେ ହୋଇ ଆଡ଼ ।

ଘୁଞ୍ଚଇ ପଛକୁ କେହି ଟେକି ଶୂନ୍ୟେ ମୁଣ୍ଡ

କେ ଗମଇ ବେନିପଦେ ଘଣ୍ଟାରବ ତୁଣ୍ଡ ।

କେ ଧାପେ ଧାଆନ୍ତେ ଦେହ ନ ଦିଶଇ ପଥେ

କେ ଶୂନ୍ୟେ ଗମଇ କେହୁ ଗମେ ଶୂନ୍ୟ ହସ୍ତେ ।

ଏ ବିଧିରେ ଯୋଦ୍ଧାମାନେ ହେଲେ ଆଗୁ ସାର

ପାଦତିଗଣେ ଚାଲନ୍ତି ହୋଇ ଖର ଖର ।

ବେଲୁଦ୍ର ନାଲି କାଛି ଯେ ପିନ୍ଧି ଚଉତନା।

ଅଙ୍ଗି ଜଙ୍ଗି ଗନ୍ତାଇ ଯେ ପାଟ ଟୋପି ବାନ ।

କେହୁ ତୀର କମାଣ ଯେ ଚକ୍ର ଭାଲି କାତି

ଭୂଷଣ୍ଡୀ ଦୁଆଡ଼ ଶିଳ ପରିଘ ଶକତି ।

ଆଢ଼ଣା ଫିଳିଫିନ୍ଦା ଯେ ଦୁଆର ବଦାଉ

ମୁଦୁଗର ଗଦା ଛେଳି କୁନ୍ତ ଦାଉ ଦାଉ ।

ଝଞ୍ଜାଳ ଝାଉଁ ଝାଉଁ ଝମବ ଝଲ ଝଲ

ଭାଲ ଧନୁ ଧରି ଚାଲୁଛନ୍ତି ମହାମଲ୍ଲ ।

ବାହାର ହୋଇଲେ ସର୍ବ ଶସ୍ତ୍ରମାନ ଧରି

ଚାଲନ୍ତେଣ ଦୁଲୁ ଦୁଲୁ ହୁଏ ବସୁନ୍ଧରୀ ।

ଟମକ ନିଶାଣ ଭେରୀ ବାଜେ ଘୋରନାଦେ

ଚମକେ ପୃଥିବୀ ବୀର କାହାଳୀ ଶବଦେ ।

ମହୁରୀ ଦମାଲୁ ଶଙ୍ଖ କମ ଢୋଲ ଦମା

ପହଟ ଏକଗୁଡ଼ା ଯେ ବାଜେ ଘୁମୁ ଘୁମା ।

ଦୁନ୍ଦୁଭି ବିଜିଘୋଷ ଯେ ଝାଞ୍ଜ କମ ଯୋଡ଼ା

କଂସାଳ ତାଳ ତାଳି ଯେ ବାଜେ ଦରପଡ଼ା ।

ମର୍ଦ୍ଦଳ କୋଳାହଳ ଯେ ବଂଶୀ ବୀଣା ବାଜେ

ଡମ୍ବରୁ ତୁମ୍ବୁରୁ ନାଦ ଜନମନ ରଞ୍ଜେ ।

ଏ ବିଧିରେ ନାନା ବାଦ୍ୟ ବାଜେ ଥାଟଯାକେ

କମ୍ପନ୍ତି ଚଡକା ଶବ୍ଦ ନାମେ ଦେବଲୋକେ ।

ଶୂନ୍ୟରେ ଯେ ପକ୍ଷୀଗଣ ନ ପାରନ୍ତି ଉଡ଼ି

ପଡ଼ନ୍ତି ଡିଙ୍ଗର ବନ ଗିରି ବୃକ୍ଷେ ଝଡ଼ି ।

ଥାଟରେ ଆଗୁଆଣି ଯେ ଚାରି ସେନାପତି

ମଙ୍ଗଳ କେତୁ ରାହୁଙ୍କ ପ୍ରାୟ ବୀର ମୂର୍ତ୍ତି ।

ଚଢ଼ି କରି ରଥରେ ସେ ହେଲେ ଆଗୁସାର

ବୀର କେଦାର ବାନା ହେ ଉଡ଼େ ଫରହର ।

ଚାଲନ୍ତି ସଇନ୍ୟ ପୁରି ବେଢ଼ି ଆଗ ପଛେ

ଉଦ୍ଦଣ୍ଡ ଯେ ଏକଲକ୍ଷ ଚାମର ଯେ ଲକ୍ଷେ ।

ଆଲମ୍ବ ବିଲମ୍ବ ଛତ୍ରେ ଆକାଶ ଯେ ଛାଇ

ଆଦିତ୍ୟ ଦେବଙ୍କର ରଶ୍ମି ନ ଦିଶଇ ।

ଚାଲନ୍ତି ସଇନ୍ୟମାନେ ଅତି ତେଜୋମୟ

ମରିବାକୁ ଜୀଇଁବାକୁ କାର ନାହିଁ ଭୟ ।

ରାଉତ ମାହୁନ୍ତ ବୀର ଅଶ୍ଵେ ବିହରନ୍ତି

ଯହିଁକି ପେଶିଲେ ତାଙ୍କୁ ତହିଁକି ଚଳନ୍ତି ।

କେ କାଣ୍ଡ ପୂରାଇ ବିନ୍ଧିଦ୍ୟନ୍ତି ଲକ୍ଷ୍ୟ ସ୍ଥାନେ

କେ ବଜ୍ରବାଣକୁ ଯୋଖି ମାରନ୍ତି ଯେ ଶୂନ୍ୟେ ।

ଧାମନ୍ତି କେ ଖଣ୍ଡା ଫରି ଧରି ଆଗେ ଆଗେ

କେହି ସୁଖେ ଅଶ୍ଵ ଚଢ଼ି ଚାଲେ ଅତି ବେଗେ ।

କେ କୁନ୍ତଶାବେଳି ଘେନିଧାଏ ଶୂନ୍ୟେ ଶୂନ୍ୟେ

କେହି ସପ୍ତ ଶଲ ପାଇଁ ଥାଏଁ ରଣ ସ୍ଥାନେ ।

କେ ଶୂଳ ଭୂଷଣ୍ଡି ଫିଙ୍ଗି ମାରେ ସୂତ୍ର କରି

କେ ଚକ୍ର ବୁଲାଇ ଫିଙ୍ଗି ଦ୍ୟନ୍ତି ଦୁଇ ଚାରି ।

କେହୁ ବାହୁ ବିସ୍ତାରିଣ ଚାଲେ ଅଲୋକିତ

କାହା ଲାଞ୍ଜ ଚଳେ ଦୁଇଶତ ତିନିଶତ ।

କେହି ଯାଇ ଆଡ଼ଚିରା ମାରେ ଗଗନରେ

କେହି ଫରି ଖଣ୍ଡା ଧରି ଚାଲଇ ଭୂମିରେ ।

କେ ଡେଇଁ ପଡ଼ିଣ କେହି ବସେ ଶତହାତେ

କାହାର ଯେ କିଛି ଲାଞ୍ଜ ଉଡ଼େ ଶୂନ୍ୟ ପଥେ ।

ଏ ରୂପେ ସଜ ହୋଇଣ ଆସନ୍ତେ ରାକ୍ଷସ

ବଦ୍ରିକା ନଗ୍ରରେ ଯାଇ ହୋଇଲେ ପ୍ରବେଶ ।

ଦେଖିଲେ ପାଚେରୀ ଶୋଭେ ଗଡ଼ ଚଉକତି

ଯୋଜନ ପାଞ୍ଚ ଯେ ଉଚ୍ଚ ଅଟେ ଦୀର୍ଘପ୍ରତି ।

ଆବର ବେନି ଯୋଜନ ଗଡ଼ର ବିସ୍ତାର

ଦେଖିଣ ସେ ଦୈତ୍ୟମାନେ ହୋନ୍ତି ଚମତ୍କାର ।

ଗଡ଼ର ଭିତରଯାକ ସୁବର୍ଣ୍ଣ ପାବଚ୍ଛ

ବିଶ୍ଵକର୍ମା ନିର୍ମାଣିଛି ଅତ୍ୟନ୍ତ ସୁସଞ୍ଚ ।

ବାରଲକ୍ଷ ବେଠିଆ ଯେ ସୈନ୍ୟ ସଙ୍ଗେ ଛନ୍ତି

ଗଡ଼କୁ ବେଢ଼ି ଅଛନ୍ତି ସର୍ବ ଦୈତ୍ୟପନ୍ତି ।

ଏ ରୂପେ ରହିଲେ ବେଢ଼ି ଗଡ଼ ଦୈତ୍ୟବୃନ୍ଦ

କହନ୍ତି ବ୍ରହ୍ମା ବସିଣ ଶୁଣନ୍ତି ନାରଦ ।

ବଦ୍ରିକା ନଗର ମଧ୍ୟେ ଛନ୍ତି ଚକ୍ରପାଣି

ଅନ୍ତର୍ଯ୍ୟାମୀ ପୁରୁଷ ଯେ ସବୁ ପାରେ ଜାଣି ।

ପାଞ୍ଚିଲେ ଦେଇଛି ମୃରାସୁର ସେନା ପେଶି

ବାରପଦ୍ମ ସୈନ୍ୟ ଏବେ ଅଛନ୍ତି ତ ଆସି ।

ଏଡ଼େ ହେଁ ଗଡ଼କୁ ମୋର ପୁର ଦେବେ ଟାଳି

ସମୁଦ୍ରରେ ପକାଇବେ ପୃଥ୍ଵୀଯାକ ଖୋଳି ।

ବେଠିଆ ମାଠିଆ କୋଦାଳିଆ ପଥୁରିଆ

ଏମାନେ ତ ଖୋଳିବାକୁ ହୋଇଛନ୍ତି ଠିଆ ।

ତିନିଶଗଣ୍ଡା ଲେଖାଏଁ ଛନ୍ତି ଚାରକୁଳ

ଗଡ଼ ଖୋଳିବାକୁ ଆସି ଅଛନ୍ତି ଚଣ୍ଡାଳ ।

ଏତେ ହେଁ ଲୋକ ଯେ ମୋତେ ଆସିଛନ୍ତି ମାରି

ସମସ୍ତେ ତ ମରି ଜାଣ ଯିବେ ସ୍ଵର୍ଗପୁରୀ ।

ଏ ରୂପେ ମନରେ ପାଞ୍ଚି ଲକ୍ଷ୍ମୀଦେବୀ କାନ୍ତ

କୋଟିଏ ନୃସିଂହ ରୂପ ଅଙ୍ଗୁକରି ଜାତ ।

ତରିବେ ନଗ୍ରର ଲୋକଯାକ ବୋଲି କରି

ସବୁରି ଘରେ ଯେ ବିଜେ କଲେ ନରହରି ।

ଅସୁର ଆସିବାର ଖବର ଯେ ପାଇ

କବାଟମାନଙ୍କୁ କିଳି ଗୃହେ ଥିଲେ ରହି ।

ଶ୍ରୀ ନୃସିଂହ ମହାପ୍ରଭୁ ସବୁଘରେ ପଶି

ଦୈତ୍ୟଙ୍କୁ ନ ଡର ବୋଲି କହି ହସି ହସି ।

ବୋଲନ୍ତି ମୋହର ଥାନ୍ତେ ତୁମ୍ଭର କି ଡର

ରହିଣ ସୁଖେ କର ଯେ ଯାହା କାରବାର ।

ଏ ରୂପେ କହି ଧଇଲେ ପ୍ରଭୁ ନିଜରୂପ

କେ ଜାଣିପାରେ ବିଷ୍ଣୁଙ୍କ ଏହି ମାୟାକଳ୍ପ ।

ବ୍ରହ୍ମାଦି ଶଙ୍କରଙ୍କୁ ଯେ ଅଟେ ଅଗୋଚର

ବିଷ୍ଣୁ ମହିମା ଜାଣନ୍ତି ଏକା ଯୋଗେଶ୍ଵର ।

ଏ ରୂପେ କହିଣ ପ୍ରଭୁ ଏକ ରୂପ ହେଲେ

ଭାଇଙ୍କି ସଙ୍ଗରେ ଘେନି ସଭାରେ ବସିଲେ ।

ସଖାଗଣଙ୍କୁ ଘେନିଣ ସୁଜାଣ ଯେ ମନ୍ତ୍ରୀ

ଢାଳିରେ ଶ୍ରୀପଦପଦ୍ମ ଦେଇ ଅର୍ଘ୍ୟପାତ୍ରୀ ।

ଗରୁଡ଼ ଆସିଣ ତହିଁ ଦରଶନ କଲେ

ପାଦରୁ ଧୂଳି ନେଇଣ ମଥାରେ ବୋଳିଲେ ।

ଶ୍ରୀନୃସିଂହ ପାଦେ ସର୍ବେ ହେଲେ ପ୍ରଣମତ

ସମସ୍ତେ କଲେ ବସିଣ ହରିବୋଲ ଜାତ ।

ଗରୁଡ଼ ଉଭା ହୋଇଲେ ଯୋଡ଼ି ବେନିକର

ପ୍ରଭୁ ଆଜ୍ଞା ଦେଲେ ତାକୁ ବସ ପକ୍ଷୀବର ।

ବସିଲେ ହରିଙ୍କ ଆଜ୍ଞା ପାଇ ପକ୍ଷୀରାଜ

ଏଥୁଅନ୍ତେ ହେ ନାରଦ କଥା ଶୁଣ ଆଜ ।

ଖୁଣ୍ଟିଆ ଆସିଲା ବେଗେ ସିଂହ ଦ୍ଵାରୁ ଧାଇଁ

ନୃସିଂହ ଛାମୁରେ କହେ ପାଦେ ପଡ଼ି ଶୋଇ ।

ବୋଇଲେ ଭୋ ଦେବ ଦୈତ୍ୟ ଅଇଲେ ଅପାର

ବେଢ଼ିଲେ ବସା କରିଣ ବଦ୍ରିକା ନଗର ।

ଶୁଣିଣ ନୃସିଂହପ୍ରଭୁ ଅଳ୍ପ ମନେ ହସି

ବୋଇଲେ ଜାଗ୍ରତେ ଥାଅ ସିଂହଦ୍ଵାରେ ବସି ।

ଶୁଣିଣ ଖୁଣ୍ଟିଆ ତହୁଁ ଗଲା ଶୀଘ୍ର ଧାଇଁ

ସୈନ୍ୟଙ୍କୁ ଜାଗ୍ରତ କରି ରଖିଲା ଜଗାଇ ।

ଏଥୁଅନନ୍ତରେ ପ୍ରଭୁ ମନ୍ତ୍ରୀ ମୁଖ ଚାହିଁ

ବୋଇଲେ ଦକ୍ଷିଣଦ୍ଵାର ଜଗ ବେଗେ ଯାଇ ।

ସର୍ବକାଳେ ଅଟ ତୁମ୍ଭେ ଭକ୍ତ ଯେ ମୋହରି

ମାନସ ଜାଣି ମୋହର ଥାଅ ସେବାକରି ।

ଅନେକ ଅସୁରବଳ ଅଛନ୍ତି ଯେ ଆସି

ଚାହାଁନ୍ତେ ଦିଗଯାକ ଯେ ମେଦିନୀ ନ ଦିଶି ।

ଶୁଣି ସୁଜାଣ ମନ୍ତ୍ରୀ ଆଜ୍ଞା ଶିରେ ଧରି

ଗଡ଼ର ଦକ୍ଷିଣଦ୍ଵାରେ ଜଗିଲା ଆବୋରି ।

ଗରୁଡ଼କୁ ବୋଇଲେ ତୁ ଶୁଣ ପକ୍ଷୀବର

ପଶ୍ଚିମଦ୍ଵାର ତୋତେଟି ଲାଗିଲା ମୋହର ।

ଦୈତ୍ୟଙ୍କୁ ଦେଖିଣ ଡରୁଅଛନ୍ତି ମୋ ଲୋକେ

ଭିତରେ ନ ପଶୁ କେହି ତୋର ଥିବାଯାକେ ।

କିସ ସେ କରିବେ ଆଗେ ଦେଖିବାଟି ତାହା

ତହିଁକି କାଥାଏ ଅଛି ଶୁଣ ପକ୍ଷୀନାହା ।

କର୍ଣ୍ଣାଟେଶ୍ଵରଙ୍କୁ ଚାହିଁ ପ୍ରଭୁ ଆଜ୍ଞା ଦେଲେ

ଉତ୍ତର ଦ୍ଵାର ତୁମ୍ଭଙ୍କୁ ଲାଗିଲା ବୋଇଲେ ।

ପୂର୍ବର ଭାଗେ ରହିଛୁ ଆମ୍ଭେ ବେନିଭାଇ

ଦୈତ୍ୟ ପଡ଼ିଲେ ଆସିବୁ ତାଙ୍କୁ ମୃତ୍ୟୁ ଦେଇ ।

ଆମ୍ଭଙ୍କୁ ମନୁଷ୍ୟ ପ୍ରାୟ ମଣିଛନ୍ତି ମୂଢ଼େ

ଜାଣୁ ଜାଣୁ ମରୁଛନ୍ତି ଆସିଣ ଅଖଡ଼େ ।

ଏ ଘେନି ତୁମ୍ଭେମାନେ ସେ ଚାରିଦ୍ଵାରେ ଥାଅ

ଯେ ଡେଇଁ ପଶିବ ତାକୁ ମୃତ୍ୟୁବାଟ ଦିଅ ।

ସୁଦର୍ଶନ ଚକ୍ର ବୁଲୁଅଛି ମୋର ଏଣେ

ଡେଇଁଲେ ଗଡ଼କୁ ସେହି କାଟିବ ତକ୍ଷଣେ ।

ଏ ରୂପେ କହିଣ ଆଜ୍ଞା ଦ୍ୟନ୍ତି ଭାବଗ୍ରାହୀ

ଜଗିଲେ ଗଡ଼ ସକଳେ ତାତପର୍ଯ୍ୟେ ଯାଇ ।

ଏଥୁଅନ୍ତେ ପୁଣ ବିଶ୍ଵକର୍ମାକୁ ଚିନ୍ତିଲେ

ଟଳନ୍ତେ ଆସନ ଆସି ତକ୍ଷଣେ ମିଳିଲେ ।

ନୃସିଂହ ବୋଇଲେ ଗଡ଼ ଲାଗିଲାକ ତୋତେ

ସେ ଗଡ଼ ଭାଙ୍ଗିଲେ ତୁହି ତୋଳୁଥିବ ନିତ୍ୟେ ।

ଦିବସେ ଭାଙ୍ଗିଲେ ରାତ୍ରେ ତୁ ନିର୍ମାଣି ଦେବୁ

ଏ ଆଜ୍ଞା ଆମ୍ଭର ପ୍ରତିପାଳି ରହିଥିବୁ ।

ଶୁଣି ବିଶ୍ଵକର୍ମା ରହିଲେକ ଆଜ୍ଞା ଘେନି

ଶୁଣ ହେ ନାରଦ କହୁଛନ୍ତି ପଦ୍ମଯୋନି ।

ଚାରି ସେନାପତି ବେଢ଼ିଗଲେ ବଦ୍ରିଦେଶ

ବୀରଘଣ୍ଟ ବୋଲେ ଚାହିଁ ଅଛ ଆଉ କିସ ।

କୋଦାଳିଆମାନେ ଏବେ ଗଡ଼ ଯାଇଁ ଖୋଳ

ମାଟି ବହି ପକାନ୍ତୁ ସେ ବେଠିଆ ସକଳ ।

ଯାଅ ଜଳଘଣ୍ଟ ତୁହି ଦକ୍ଷିଣରେ ଲାଗି

ତୋର ଅଙ୍ଗବଳ ଘେନି ବଦରିକା ଭାଙ୍ଗି ।

ପୁଣ ରଣଗଡ଼କୁ ସେ ବୋଇଲାକ ତୁହି

ପୂର୍ବ ପାଚେରୀ ଭାଙ୍ଗ ଯା ମାଟିଆ ଲଗାଇ ।

ବଜ୍ରମାଳିକି ବୋଇଲା ଯାଅ ତୁ ଉତ୍ତରେ

ଧୂମାନ୍ତ କରି ପକା ସେ ପାଚେରୀକି ଖରେ ।

ଚଉପାଶେ ରହି ଗଡ଼ ଗଡ଼ ବେଢ଼ି ରଥିଯାକ

ଗଜ ଅଶ୍ଵ ସୈନ୍ୟ ଘେନି ଯାଅ ଯେତେ ଲୋକ ।

ରହିଲେ ପଶ୍ଚିମେ ଯାଇ ବୀରଘଣ୍ଟ ସେନା

ପଶିଣ ତିନି ଭାଇଙ୍କି ଦେଲା ତିନି ସେନା ।

ଦେଖିଣ ଯେ ତିନିଶତ ତ୍ରିଂଶପଦ୍ମ କୋଟି

କୋଦାଳ କୋଡ଼ିକାଙ୍କ ସେ ଧରି ହସ୍ତେ ଉଠି ।

ବୋଇଲେ ଯେ ତୁମ୍ଭେମାନେ ଆମ୍ଭ ତହୁଁ ଶୁଣ

ତିନି ତିନି ଲକ୍ଷ ତୁମ୍ଭେ ଗଡ଼ ବାହାରେଣ ।

ପାଚେରୀ ମୂଳକୁ ଖୋଳି କର ତଳେ ଗର୍ତ୍ତ

ପାଷାଣ ତାଡ଼ି ଜଳରେ ପକାଅ ସମସ୍ତ ।

ଶୁଣିଣ ବେଠିଆଦଳ ଗଲେ ତତକାଳେ

ଗଡ଼ ଚାରିପାଖ ଖୋଳି ପକାଇଲେ ତଳେ ।

ଗଡ଼ର ଯୁଣେ ଓସାର ମାପ ଧରି ଧରି

ଖୋଳିଣ ଦୂରେ ପକାନ୍ତି ଅଲୋକିତ କରି ।

ଖୋଳନ୍ତି ସେ ଦିନଯାକ ମାଟି ଫୋପାଡ଼ନ୍ତି

ରାତ୍ରେ ବିଶ୍ଵକର୍ମା ତାହା ଲେପନ କରନ୍ତି ।

ବିଷ୍ଣୁର ନିର୍ମାଣ ଭୂମି ଯେଉଁ ବଜ୍ର ବାଡ଼

ଖୋଳିଣ କିସ କରିଲେ ତହିଁ ଦୈତ୍ୟ ରାଢ଼ ।

ପ୍ରଭାତକାଳରୁ ଉଠି କରି ଦୈତ୍ୟଲୋକେ

ଗଡ଼ଯାକର ନିର୍ମାଣ ଦେଖନ୍ତି ଅଧିକେ ।

ତାହା ଦେଖି ଚମତ୍କାର ହ୍ଵନ୍ତି ଦୈତ୍ୟମାନେ

ବୋଲନ୍ତି ଏକଥା ଆମ୍ଭେ ଦେଖିନାହୁଁ ଦିନେ ।

ଖୋଳିବାର ଶ୍ରମଯାକ ବ୍ୟର୍ଥ ଏବେ ଗଲା

ଦିବସରେ ଖୋଳିଯାନ୍ତେ ରାତ୍ରେ ଉଛୁଳିଲା ।

ବୋଇଲେ ବେଠିଆ କୋଦାଳିଆ ଶୁଣ ବାପ

ଦିବସେ ସେ ଖୋଳାଯାକ ରାତ୍ରେ ଦେଲେ ଲେପ ।

ସଭାରେ ତ କହିବାକୁ ଲାଜ ଲାଗେ ଏହା

ବ୍ୟର୍ଥ ଗଲାତ ସକଳ କଲା କାର୍ଯ୍ୟ ଯାହା ।

ଥୋକାଏ ବୋଇଲେ ଆସ ଖୋଳି ଜଗିଥିବ

କି ରୂପେ କେ ଦେବ ଲେପ ସେ କଥା ଜାଣିବ ।

ଏ ରୂପେ ବୋଲି ଖୋଳିଲେ ସର୍ବେ ଯାଇ କାନ୍ଥ

ବାହୁକ ବେଠିଆ ତିନିଲକ୍ଷ ବଳବନ୍ତ ।

ଖୋଳିଣ ସେ ମାଟିଯାକ ଜଳେ ଦେଲେ ଚାଳି

ଦିବସ ଅନ୍ତେ ଯେ ଚଳିଗଲେ ଅଂଶୁମାଳୀ ।

ଭୋଜନ ସାରିଣ ଦୈତ୍ୟ ଆଗମନ କଲେ

ଜଗିଣ ପ୍ରହରୀଯାକ ଉଜାଗର ହେଲେ ।

ଶ୍ରୀନୃସିଂହ ଆଜ୍ଞା ଦେଲେ ନିଦ୍ରାବତୀ ରାଇ

ଦୈତ୍ୟଙ୍କୁ ନିଶ୍ଚେଷ୍ଟ କରି ପକାଅ ଶୁଆଇ ।

ନିଦ୍ରାବତୀ ଶ୍ରୀ ନୃସିଂହ ଆଜ୍ଞା ପରମାଣେ

ଦୈତ୍ୟଙ୍କର ନେତ୍ରେ ମାଡ଼ି ବସିଲେ ତକ୍ଷଣେ ।

ସମସ୍ତେ ନିଦ୍ରାରେ ଘାରି ନିଶ୍ଚେଷ୍ଟେ ଶୋଇଲେ

କ୍ଷଣକରେ ବିଶ୍ଵକର୍ମା ଗଡ଼ ନିର୍ମାଣିଲେ ।

ପୂର୍ବଠାରୁ ଅଧିକରେ ନିର୍ମାଣିଲେ କାନ୍ଥ

ପ୍ରଭାତୁ ଦୈତ୍ୟ ଦେଖିଣ ହେଲେ ଆଚମ୍ବିତ ।

ବୋଇଲେ ଏ କେଡ଼େ କଥା କଲା ବିପ୍ରମଣି

ଏ ରୂପେ କଲେ ତାକୁ ନ ପାରେ କେବେ ଜିଣି ।

ଚାରି ସେନାପତି ପୁଣି ବିଚାରିଲେ ବସି

ନଗର ଧ୍ଵଂସିବା ଆସ ଗଡ଼େ ଡେଇଁ ପଶି ।

ନୋହିଲେ ନୁହନ୍ତି ବିପ୍ରକୁଳ କେବେ ନାଶ

ମାରିବା ଗଡ଼ରେ ଡେଇଁ ପଶି ବେଗେ ଆସ ।

ଏ ରୂପେ ମନେ ପାଞ୍ଚନ୍ତେ ସେନାପତି ଚାରି

ଜାଣିଲେ ସେ କଥା ଅୋନ୍ତର୍ଯ୍ୟାମୀ ଦେବହରି ।

ପାଞ୍ଚିଲେ ସରିଲା ଏବେ ଦୈତ୍ୟଙ୍କର ନଟ

କି କରିବେ ବୁଝିବା ନା ଦୈତ୍ୟଙ୍କର ହଟ ।

ଗଡ଼କୁ ମୋର ଖୋଲି ସେ ଟାଳି ନ ପାରିଲେ

ଡେଇଁ ପଶିବା ବୋଲି ଯେ ଏବେ ବିଚାରିଲେ ।

ଏ ରୂପେ ପାଞ୍ଚି ଉଠିଲେ ପ୍ରଭୁ ଜଗତୀରେ

ଶେଷଦେବଙ୍କୁ ଯେ ଘେନିଛନ୍ତି ସଙ୍ଗତରେ ।

ପାଚେରୀ ଶିଖରେ ବିଜେ କଲେ ବେନିଭାଇ

ଦେଖିଲେ ଦୈତ୍ୟ ଯେ ପୂରିଛନ୍ତି ଅନ୍ତ ନାହିଁ ।

ପୁଚ୍ଛିଲେ ଦୈତ୍ୟମାନଙ୍କୁ ଚାହିଁ ନାରାୟଣ

ବୋଇଲେ ଅଇଲ କାହିଁକିରେ ଅକାରଣ ।

ତୁମ୍ଭର ଆମ୍ଭର କିଛି ସମ୍ବନ୍ଧ ତ ନାହିଁ

କାହିଁକି ଆସିଛ ଅନିମିନ୍ତେ ଥାଟ ବାହି ।

ଏମନ୍ତ ବୋଲି ପୁଚ୍ଛିଲେ ଯହୁଁ ଲକ୍ଷ୍ମୀକାନ୍ତ

ଚାହିଁ ଚାରି ସେନାପତି ଦେଖି ବେନିଭ୍ରାତ ।

ବୀରଘଣ୍ଟ ବୋଇଲେ ଏ ଅଟେ ଆମ୍ଭ ଶତ୍ରୁ

ଏହାକୁ ଧରିଣ ଆମ୍ଭେ କରିଦେବା ମୃତ୍ୟୁ ।

ମୂଳକୁ ତ ନିହାରିଲେ ଡାଳେ କିସ କାର୍ଯ୍ୟ

ରାଜା ବନ୍ଦୀ ପଢିଲେକି ହେବ ନାଶିରାଜ୍ୟ ।

ରଣେ ମଲା ପାଇକକୁ ହାଣି ହାଣି ଗଲେ

ତାହାଙ୍କୁ ବୀର କ୍ଷତ୍ରିୟ ଅଲାଜୁକ ବୋଲେ ।

ପ୍ରଳାପ କରିଣ ମେଘ ଶୂନ୍ୟେ ଯେବେ ଘୋଟେ

ରବିର ଆଲୋକ କାହିଁ ହଜେ ଜାଣ ଭେଟେ ।

ସତିକା ପତିର ଆଗେ ଭାର୍ଯ୍ୟା ହେଲେ ଡିହା

ପଦକେ ସେ ଉଠି ଆସି ବେଗେ ହେବ ଠିଆ ।

ସଂସାରେ ଜାଣ ବହୁତ କୃଷି ଉପୁଜିଲେ

ମାହାର୍ଘ ଲୋଡ଼ିବା ଲୋକ କି କରିବେ ଭଲେ ।

ଅଗ୍ନି ଲାଗିଲେ ପଡ଼ଇ ଜଳ ଯେବେ ମାଡ଼ି

ସେ ନଗ୍ର କେତେବେଳେ ନ ଯାଏ ଆଉ ପୋଡ଼ି ।

ଆମ୍ଭ ଆଗେ ଆସି ଏହୁ ମିଳିଲେଣି ଯେବେ

ଲୋଡ଼ିବା କ୍ଷତ୍ରିକି ଏହା ନ ମିଳଇ କେବେ ।

ଏ ରୂପେ ମନରେ ପାଞ୍ଚ ବୀରଘଣ୍ଟ ବୀର

ନୃସିଂହ ମୁଖକୁ ଚାହିଁ କହଇ ଉତ୍ତର ।

ବୋଇଲେ ତୁମ୍ଭେ ପରା ଏ ମୃରାସୁର ରାଜ୍ୟେ

ପାଠ ପଢ଼ାଇବ ବୋଲି ଗଲରେ ନିର୍ଲ୍ଲଜେ ।

ନ କହିଣ ପକାଇ ଆସିଲ ନିଶାକାଳେ

ତୁମ୍ଭଠାରୁ ଦୋଷୀ କିଏ ଅଛି ଭୂମଣ୍ଡଳେ ।

ନୋହିଲେ ବୋଲନ୍ତି ବିପ୍ରଙ୍କୁ କି ଲୋକେ ଡିହା

ସଭାରେ ହୁଅନ୍ତି ଆଗ ହୋଇ ଉଚ୍ଚକୁହା ।

ଲୋକଙ୍କ ଯେ ପାଦ ଧୂଳି ବଳେ ଯାଚି ଦିଅ

ହାରିଲେ କଥାରେ ଜିଣୁଅଛୁ ବୋଲି କହ ।

ଦେଖିଲେ ପରଶିରୀ ନ ପାର କେବେ ସହି

ହିଂସାରେ ଲୋକଙ୍କୁ ନାଶ ଖଚ ମିଛ କହି ।

ବୁଝିବା ଅଟନ୍ତି ବିପ୍ରମାନେ ଘରବୁଡ଼ା

ସଭା ମୁରୁଛି ପଳାନ୍ତି ନ ହୋଇଣ ଛିଡ଼ା ।

ଏ ରୂପେ ବ୍ରାହ୍ମଣ ସିନା ତୁମ୍ଭେ ବେନିଭାଇ

ବିଦ୍ୟା ପଢ଼ାଇଣ ଲୁଚି ଅଇଲ ପଳାଇ ।

ଏ ଘେନି ବ୍ରାହ୍ମଣ ଗୋଷ୍ଠୀ ଅଟେ ଅବିଶ୍ଵାସୀ

ଆପଣେ ରାଜା ହୁଅନ୍ତି ସର୍ବବର୍ଣ୍ଣେ ଆସି ।

ରାଜ୍ୟ ନ ଥାଇ ସେ ରାଜା ଆପେ ଆପେ କହି

ବ୍ରହ୍ମାଣ୍ଡଯାକେ ପାଷଣ୍ଡ ଜାତି ଏଡ଼େ ନାହିଁ ।

ନୃସିଂହ ବଇଲେ ଶୁଣ କହିବାରେ ମୂଢ଼େ

ମୁର୍ଖେ ଶିରୀ ଅର୍ଜିବୋଲନ୍ତି ଯେ ଆମ୍ଭେ କେଡ଼େ।

ସମସ୍ତଙ୍କୁ ବୋଲନ୍ତି ଯେ ଅଟୁ ଆମ୍ଭେ ସିଂହ

ଝିଣ୍ଟିକାକୁ ଶ୍ଵାନ ଆଉ ଶ୍ଵାନେ ଯେହ୍ନେ ବ୍ୟାଘ୍ର ।

ତେଢ଼େକେ ହେବାରୁ ଆରେ କ୍ଷତ୍ରୀ ଏଡ଼େ ହୋଇ ଚୋର ଦଣ୍ଡୁଆସି ପ୍ରାୟ ଖୋଳ ଆମ୍ଭ ଭୂଇଁ ।

ଆମ୍ଭେ ବିପ୍ରମାନେ ମେଲିଆତ ବୋଲି ଜାଣ

ଜାଣି ବିପ୍ର ହାତେ ଆସି ମଲ ଅକାରଣ ।

ତୁମ୍ଭର ସେ ଶୁକ୍ରଗୁରୁ ବିପ୍ର ପରା ଅଟେ

ତାଙ୍କ ପାଦ ପୁଣି ନିତି ଘେନ ଭାଲପାଟେ ।

ତୁମ୍ଭଙ୍କୁ କେବେ ସେ ହିଂସା କଲେଣି କି କହ

କାହାକୁ ବୁଡ଼ାଇ ଶୁକ୍ର ଧରିଛନ୍ତି ଦେହ ।

ଘେନୁଛୁ ସେ ଶୁକ୍ରଋଷିଙ୍କର ପାଦ ଧୂଳି

ନିତି ହୋଉଛ ଦେହ ମୁଣ୍ଡେ କିମ୍ପା ବୋଳି ।

ପଳାଇଲେ ବୋଲି ଯେବେ ଜାଣିଲ ରେ ମୋତେ କାହିଁକି ମର ପଳାଇ ଯିବା ଲୋକ ହସ୍ତେ ।

ତଥାପି ଆସିଲ ଯେବେ ବଡ଼ ପଣେ ଯୁଝି

ଚୋର ପ୍ରାୟ ଖୋଳି ମୋର ଦିଅ ଗଡ଼ ଭାଞ୍ଜି ।

ରାଜାକୁ ତୁମ୍ଭେ ବାହୁଡି କହ ଏବେ ଯାଇ

କାହିଁକି ଦେଉଛି ମରିବାକୁ ପଠିଆଇ ।

ତୋହର ଯେତେକ ସୈନ୍ୟ ଗଲେ ଆଜଯାଏ

ବାହୁଡ଼ିଲେ ନାହିଁ କେହି ତହିଁରୁ ଗୋଟିଏ ।

ବୋଲ ଏହି ରୂପେ ଆମ୍ଭେ ମଲେ ହେବ ଯଶ

ଏ ରୂପେ ବେଗରେ ଯାଇଁ କହ ରାଜା ପାଶେ ।

ଶୁଣିଣ ଉଠିଲେ ସେନାମାନେ ଶିର ଝୁଣି

ଥୋଇଲେ ନୃସିଂହ ସ୍ଵାମୀ ଆଗେ ରଥ ଆଣି ।

ବୋଇଲେ ଶୁଣରେ କୃଷ୍ଣବଲ୍ଲଭର ପୋଏ

ବୁଝିଲେ ସଂସାର କମ୍ପୁଅଛି ଯାର ଭୟେ ।

ପଚଶକୋଟି ଯୋଜନ ଯେଉଁ ବସୁନ୍ଧରୀ

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଯେ ପୁର ଆଦି କରି ।

ମୁର ଶିଖା ଜାଣ ଟେକିଅଛି ଏତେ ଯାଏ

କେଡ଼େ ରାଜାକୁ ତୁମ୍ଭେ ନ ମାନ ବିପ୍ରପୋଏ ।

ଆମ୍ଭେ ଅଟୁ ମହାକ୍ଷତ୍ରୀ ରାଜା ଘେନି ସଙ୍ଗେ

ଜାଣିଛୁ ସବୁଙ୍କୁ ତିଳ ପ୍ରାୟେ ରଣରଙ୍ଗେ ।

ଏମନ୍ତ କହନ୍ତେ ବୀରଗଣ କୋପ ହୋଇ

ହସିଣ କହନ୍ତି କଉତୁକେ ଭାବଗ୍ରାହୀ ।

ବୋଲନ୍ତିରେ ତୁମ୍ଭେ ଏଡ଼େ କ୍ଷତ୍ରୀ ଅଟ ଯେବେ

କରିବତ କେଡ଼େ ଯୁଦ୍ଧ ଦେଖିବା ତ ଆମ୍ଭେ ।

ଆସରେ ଦୈତ୍ୟ କରିବ ତୁମ୍ଭ ପରା ଯୁଦ୍ଧ

ହେଲଣି ଘରୁ ଆସିଲାବେଳୁଁ ପ୍ରାଣେ ବଧ ।

ଏ ରୂପେ କହିଲେ ଉଚ୍ଚେ ଯହୁଁ ନାରାୟଣ

କମ୍ପିଲେ ସେ ଚାରିସେନା ଧରି ଧନୁ ତୂଣ ।

ମାଡ଼ିଲେ ପୁଚ୍ଛକୁ ଯେହ୍ନେ ଉଠେ କାଳସର୍ପ

ଧରିଣ ବିନ୍ଧିଲେ ଶସ୍ତ୍ରମାନ କଉପଣ ।

ଶ୍ରୀନୃସିଂହ ବେନିଭାଇ ଦେଖି ବେନି ଡୋଳେ

ଅଜଗବ ଧନୁକୁ ସେ ଧଇଲେ ତତ୍କାଳେ ।

ପେଶି ଆଧାରଚନ୍ଦ୍ର ବାଣ ଛେଦୁଁ ବେନିଭାଇ

ଅସୁର ବିନ୍ଧିବା ଶର ଛିଡ଼ିପଡ଼େ ମହୀ ।

ବୀରଘଣ୍ଟ ଯେ ପର୍ବତଶର ଦେଲା ପେଶି

ଶ୍ରୀନୃସିଂହ ବଜ୍ରଶର ପେଶି ଦେଲେ ନାଶି ।

ପୁଣି ଜଳପାଶ ପେଶିଦେଲା ଦୈତ୍ୟ ବୀର

ମରୁତ ଶରେ ଛେଦିଲେ ତାହା ଚକ୍ରଧର ।

ଆବର ସେ କରୀବର ଶର ପୁଣି ପୁଣି

ପେଶିଣ ବୋଲେରେ ପକା ବିପ୍ରଙ୍କୁ ଯେ ହାଣି ।

ଛେଦିଲେ କେଶରୀ ବାଣ ପେଶି ମହାପ୍ରଭୁ

ସିଂହକୁ ଦେଖି ପଳାଇଗଲେ ଗଜେ ସବୁ ।

ପୁଣିହିଁ ପେଶିଲା ବୀରଘଣ୍ଟ ନାଗପାଶ

ବୋଇଲେ ଶ୍ରୀନୃସିଂହଙ୍କୁ ବାନ୍ଧି ଘେନି ଆସ ।

ବିଧିରେ ଗରୁଡ଼ ଅଟେ ଯାର ନିଳାସନ

ତାହାକୁ ପାରିବେ କିସ କରି ନାଗସୈନ୍ୟ ।

ଗରୁଡ଼କୁ ଦେଖି ନାଗେ ପଳାଇଲେ ରାଗେ

ପଶିଲେ ପାତାଳପୁରେ ଯାଇ ଲୁଚି ବେଗେ ।

ଦିଗପାଳଙ୍କର ଅସ୍ତ୍ର ନେଇଗେଲେ ଯେତେ

ସେହି ଶରମାନ ରହିଥିବ ମୁଖାଗ୍ରତେ ।

ବୋଇଲେ ବଳରେ ତୁମ୍ଭେ ନେଲ ହେ ଛଡ଼ାଇ

ବିଷ୍ଣୁଙ୍କୁ ବିନ୍ଧିଲେ ଆମ୍ଭେ ଯିବୁଟି ପଳାଇ ।

ବଳପଣେ ନେଲେ ଦ୍ରବ୍ୟ କାହାକୁ ମିଳେ କି

ଏଣୁ ସେ ଲୋକକୁ କେହି ହୀନ ନବୋଲେ କି ।

ନେଲେ ବଳେ ଜୟ ଜାଣ ନୁହଇ ତାହାକୁ

ଏ ରୂପେ ସେ ଶରମାନ କହନ୍ତେ ଦୈତ୍ୟଙ୍କୁ ।

ସେ କଥା ଶ୍ରବଣେ ତାଙ୍କ ନ ପଶିଲା ଜାଣ

ଭୋଳରେ ସେ ଶରଯାକ ନେଲେ ଦୈତ୍ୟଗଣ।

ସେ ଶରଯାକ ସାଇତି ରଖିଥିଲେ ଦୈତ୍ୟ

ନୃସିଂହକୁ ମାର ବୋଲି ବିନ୍ଧିଲେ ତୁରିତେ ।

ଇନ୍ଦ୍ରଙ୍କର ବଜ୍ରଶର ଅଗ୍ନିଙ୍କର ବାଣ

ନୈର୍ଋତର ଲୌହଶର ବରୁଣ ଯେ ପୁଣ ।

ପବନ ଦେବତାଙ୍କର ପବନାସ୍ତ୍ର ଯୋଖି

ବିନ୍ଧଇ ଅସୁରେ ଟାଣି ଉପ୍ରୋଧ ନ ରଖି ।

କୁବେରର ରତ୍ନାବଳୀ ଈଶାନ ଭୈରବ

ଆକାଶୁ ପ୍ରଳୟ ପାତାଳରୁ ମହୀଧ୍ରୁବ ।

ଏ ବିଧିରେ ଦଶଦିଗପାଳ ଶର ଧରି

ଶ୍ରୀନୃସିଂହ ଉପରକୁ ବିନ୍ଧିଲେ ଦେବାରି ।

ଆସନ୍ତେ ସେ ଶରମାନ ନୃସିଂହଙ୍କୁ ଚାହିଁ

ଶରଣ ପିଶିଲେ ପଦ୍ମପାଦେ ସର୍ବେ ଯାଇ ।

ପାଦପଦ୍ମକୁ ଚାହିଁଣ ସର୍ବେ କଲେ ସ୍ତୁତି

ବୋଇଲେ ଦେଖିଲୁ ଏତେ କାଳେ ଜଗଜ୍ୟୋତି।

ଆପଣ ଯେତେକ ଶର ଦେଲେ ଦେବତାଙ୍କୁ

ବଳେ ଘେନିଗଲେ ପଶି ଆପଣା ମନକୁ ।

ଆମ୍ଭଙ୍କୁ ଏ ଯୋଗ ଯେତେ ଦିନ ଥିଲା ଆସି

ଭେଟିଲୁ ସୁଖେ ଦର୍ଶନ କରି ବ୍ରହ୍ମରାଶି ।

ଶ୍ରୀନୃସିଂହ ସ୍ଵାମୀ ଶୁଣି ଅଳ୍ପ ମନେ ହସି

ବୋଇଲେ ତୁମ୍ଭେ ଆମ୍ଭର ରହ ଏବେ ଆସି ।

ଶୁଣି ରହିଲେ ଶରମାନ ଆଜ୍ଞାପାଇ

ଶୁଣ ଆହେ ନାରଦ ଯେ ବେଦବର କହି ।

ଏଥିଉତ୍ତାରୁ ଅସୁର ସେନାପତି ଚାରି

ବିନ୍ଧନ୍ତେ ସେ ଶରଯାକ ତୂଣୁ ଗଲେ ସରି ।

ନୃସିଂହ ବୋଇଲେ ଆଉ ଶର ଥିଲେ ବିନ୍ଧ

ନୋହିଲେ ଛେଦିବି ଏହି କ୍ଷଣି ତୁମ୍ଭ କନ୍ଧ ।

ଶୁଣି ପଡ଼ିଲେ ଦୈତ୍ୟ ବୀର ରଥୁ ଡେଇଁ

ରେ ରେ କାର କରି ଗଦା ଧଇଲେକ ଯାଇ ।

ସମ୍ଭାଳ ବିପ୍ରରେ ବୋଲି ଛାଡ଼ି ଘୋରରଡ଼ି

ନୃସିଂହ ଉପରେ ନେଇ ପିଟିଲେ କଚାଡ଼ି ।

ଦେଖି ମହାପ୍ରଭୁ କୌମୋଦକୀ ଗଦାଧରି

ଭାଙ୍ଗିଲେ ଦୈତ୍ୟଙ୍କ ଗଦା ଖଣ୍ଡ ଖଣ୍ଡ କରି ।

ଭାଜନ୍ତେ ସେ ଗଦା ଦୈତ୍ୟ ହେଲେ ଶୂନ୍ୟ ହସ୍ତ

ନୃସିଂହ ବୋଇଲେ ଏବେ କରିବ କେମନ୍ତ ।

ଶୁଣିଣ ସେ ବାହାସ୍ଫୋଟ ମାଇଲେ ରାକ୍ଷସ

ବୋଇଲେ ଯେ ମାଲଯୁଦ୍ଧ କରିବା ହୋ ଆସ ।

ଦୈତ୍ୟଙ୍କର ବାଣୀ ଶୁଣି ହସି ଚକ୍ରପାଣି

ଚକ୍ରକୁ ବୋଇଲେ ଯାଇ ପକା ବେଗେ ହାଣି ।

ଶୁଣି ସେ ସୁଦର୍ଶନ ଗଲା ଅତି ବେଗେ

ଚାରି ସେନାଙ୍କର ମୁଣ୍ଡ ଛେଦିଲା ସେଲାଗେ ।

ସମୁଦ୍ରେ ପକାଇ ନେଇ ସ୍ନାନ ବେଗେ କଲା

ନୃସିଂହ ଦକ୍ଷିଣ କରେ ପ୍ରବେଶ ହୋଇଲା ।

ଏଥି ଉତ୍ତାରେ ସେ ପ୍ରଭୁ ଲକ୍ଷ୍ମୀଦେବୀ କାନ୍ତ

ଗରୁଡ଼କୁ ଆଜ୍ଞାଦେଲେ ବେଗେ ମାର ଦୈତ୍ୟ ।

ଅସୁର ସୈନ୍ୟଙ୍କୁ ବେଗେ ପେଶ ସଂଜୀବନୀ

ଗୋଟିଏ ଉବୁରି କେ ନ ଯାନ୍ତୁ ପ୍ରାଣ ଘେନି ।

ପଦାତି ରାଉତ ହସ୍ତୀ ଘୋଡ଼ା ଆଦିକରି

ଯେମନ୍ତେ ପାର ତେମନ୍ତେ ଦିଅ ତୁହି ମାରି ।

ଶୁଣିଣ ଉଠିଲା ବୈନତେୟ ମହାକୋପେ

ବକକୁ ଦେଖି ଶ୍ୟାମଳ ପକ୍ଷୀ ଯେହ୍ନେ ଝାମ୍ପେ ।

ସେ ରୂପେ ସେ ଶ୍ଵନ୍ୟେ ଉଡ଼ି ପଡ଼େ ଆସି ମାଡ଼ି

ଗୋଟିଏ ଗୋଟିଏ ଝିଙ୍କି ଦିଏ ବେକ ମୋଡ଼ି ।

ଆବର ସେ ଥଣ୍ଟେ ଧରି କରେ ଖଣ୍ଡ ଖଣ୍ଡ

ପାଦରେ ଯେ ଚୂର୍ଣ୍ଣ କରି ମନ୍ଥେ କାର ପିଣ୍ଡ ।

ମାହୁନ୍ତ ଯେ ମତ୍ତହସ୍ତୀ ପଦାତି ସବିଏଁ

ବୀର ଲମ୍ବଗ୍ରୀବ ଆଦି ହେଲେ ମଡ଼ାମୟେ ।

ପଡ଼ିଲା ଅସୁର ଥାଟଯାକେ ମହାଗୋଳ

ପିଟିଲେ ସେ ଦୈତ୍ୟମାନେ ଘେନି ଗଦାଶୂଳ ।

ମାହୁନ୍ତମାନେ ଯେ ଗଜ ଅଶ୍ଵ ଉହାଡ଼ିଲେ

ରାଉତମାନେ ଲାଞ୍ଜକୁ ଚିଟକୁଣି କଲେ ।

ପଦାତିଗଣ ଶାୟକ ଶର କରେ ଧରି

ବିନ୍ଧିଲେ ଗରୁଡ଼ ଉପରକୁ କୋପ କରି ।

କକଡ଼ା ବୃଷ୍ଟିର ପ୍ରାୟେ ପଡ଼ନ୍ତେ ସେ ଶର

ବାଜନ୍ତେଣ ଟହ ଟହ ହସେ ଖଗେଶ୍ଵର ।

ନାରାଚ ପଡନ୍ତେ ଅଙ୍ଗେ ଖଗେ ଦିଏ ଝାଡ଼ି

ବିଞ୍ଚି ହୋଇଣ ସେ ଶରେ ଶୂନ୍ୟେ ଯାନ୍ତି ଉଡ଼ି ।

ଦଇତେ ବିନ୍ଧନ୍ତେ ଏକମୁଖେ ଶର ଟାଣି

ଆସନ୍ତି ଶରେ ଶ୍ରାବଣ ବୃଷ୍ଟିଧାରା ଜାଣି ।

ବରାହି ତରୁଆ ଆଉ ବାଙ୍କୋଡ଼ି ବା ଧଣ୍ଡା

କୁଣ୍ଡଳି ଯେ ଯମଦାଢ଼ କାତି ଛୁରୀ ଖଣ୍ଡା ।

ଆବର କତୁରୀ ଖରଶାଣି ଏକମୁନ

ବିନ୍ଧନ୍ତି ଏ ଆଦି ଶରମାନ ଯାତୁଧାନ ।

ଖଗବର ପକ୍ଷେ ତାହା ଦିଏ ଗୁଣ୍ଡାକରି

ଦେଖିଣ ଦୈତ୍ୟ ରହିଲେ ଟିକେ ଅପସରି ।

ଗରୁଡ଼ ବୋଇଲା ଏବେ ସରିଲା କି ଶର

ଏ ରୂପେ କହି ଗର୍ଜିଲା ବୀର ଖଗେଶ୍ଵର ।

କାହାକୁ ମନ୍ଥି କାହାକୁ ଥଣ୍ଟେ ଦିଏ ଚିରି

କାହାକୁ ଖଗେ ପକାଇ ଦିଏ ବେଗେ ମାରି ।

କାହାର ମୁଣ୍ଡକୁ ମୋଡ଼ି କଲେ ବାହୁଛଟା

କାହା ପେଟ ଚିରି ଭାଙ୍ଗିଦିଏ କାର ଅଣ୍ଟା ।

କାହା ଅନ୍ତମାଳା କାଡ଼େ ବୁକୁ ଦିଏ ଚିରି

ଏ ରୂପେ ସେ ସୈନ୍ୟଯାକ ସବୁ ଗଲା ମାରି ।

ସୁଜାଣ ମନ୍ତ୍ରୀ ମାଇଲା କେତେ ଅନ୍ତ ନାହିଁ

କର୍ଣ୍ଣାଟ ରାଜା ଯୁଦ୍ଧ କେ ପାରେ ମୁଖେ କହି ।

ବାରପଦ୍ମ ସୈନ୍ୟ ବାରଯୁଣ ଥିଲେ ମାଡ଼ି

ଭୂମିରେ ଶ୍ରାବଣ ବୃଷ୍ଟି ପ୍ରାୟ ଗଲେ ପଡ଼ି ।

ବହିଲା ରକତ ନଦୀ ତିନିତାଳ ଉଚ୍ଚେ

ଏତେକ ଯୁଦ୍ଧ କେ କରି ନାହିଁ ସ୍ଵର୍ଗମଞ୍ଚେ ।

ଶାଗୁଣା ଜମ୍ବୁକ ଶଙ୍ଖଚିଲ କାକପୋଇ

ଭକ୍ଷନ୍ତି ମାଂସ ରୁଧିର ଯାନ୍ତି ଏହୁ ପିଇ ।

ଚାଚିକା ଯୋଗିନୀଗଣ ଭ୍ରମି ଯେଝାମତେ

ଭକ୍ଷନ୍ତି ମରିବା ଦୈତ୍ୟଯାକ ଦିବାରାତ୍ରେ ।

ଧରିଣ ସେ ଗୋଟି ଗୋଟି କରି ପୋଡ଼ାବଳି

ଭୁଞ୍ଜନ୍ତି ସେ ମଦ୍ୟପାନେ ଦେଇ ହୁଳହୁଳି ।

କହିଲେ ଯେ ନ ସରଇ ଯୁଦ୍ଧ ମହାଘୋର

ପଡ଼ିଲେ ସେ କୁଡ଼କୁଢ଼ ହୋଇ ଦୈତ୍ୟବୀର ।

କାହାର ଯେ ମୁଣ୍ଡଫାଟି କାହା ପିଠି କଣା

କାହାର ବେକ ଛିଡଇ କାହା କଟୀ ହଣା ।

କାହାର ଭୁଜ ଛିଡ଼ଇ ବାଜି ଶରଘାତେ

କାହା ଜାନୁ ଜଙ୍ଘ ଛିଡ଼ିଗଲା ଅପ୍ରମିତେ ।

ଶୋଣିତ ନଦୀରେ ମଡ଼ା ଭାସେ କୁତୂହଳ

ଟେକଇ ପବନଘାତେ ରକତ ଉଲ୍ଲୋଳ ।

ଏ ରୂପେ ହୋଇ ବାରପଦ୍ମ ସୈନ୍ୟ ହତ

ରାଉତ ମାହୁନ୍ତ ହସ୍ତୀ ଘୋଡ଼ା ଅପ୍ରମିତ ।

ଗରୁଡ଼ କର୍ଣ୍ଣାଟେଶ୍ଵର ସୁଜାଣ ଯେ ମନ୍ତ୍ରୀ

ମାଇଲେକ ବାରପଦ୍ମ ସୈନ୍ୟ ତିନିକ୍ଷତ୍ରୀ ।

ସଂଗ୍ରାମେ ଅସୁର ସୈନ୍ୟଯାକ କରି ଧ୍ଵଂସ

ନୃସିଂହ ଛାମୁରେ ଆସି ହୋଇଲେ ପ୍ରବେଶ ।

ପ୍ରଭୁ ବୋଇଲେରେ ଦୈତ୍ୟଗଲେ ଯମପୁର

ଗଲେ ବୋଲି ଆଗେ କହେ କର୍ଣ୍ଣାଟଈଶ୍ଵର ।

ସୁଜାଣ ମନ୍ତ୍ରୀ ବୋଇଲେ ମୁଁ ହାରିଲି ଯାହା

ଛାମୁରେ କେ ଲେଖି କହିପାରେ ବସି ତାହା ।

ମୁଁ କେତେ ମାଇଲି କେତେ କର୍ଣ୍ଣାଟ ମାଇଲେ

ଗରୁଡ଼ ହସ୍ତରେ ଅପ୍ରମିତ ସୈନ୍ୟ ମଲେ ।

ଗରୁଡ଼ ବୋଲେ ଶୁଣିମା ହେଉ ଭାବଗ୍ରାହୀ

ବୁଝିଲେ ତ ଯୁଦ୍ଧ ମୋତେ ଅଣ୍ଟିଲା ଯେ ନାହିଁ ।

ଯେତେ ଆଜ୍ଞା ହେଲେ ଦେବତେତେ ଦେଲି ମାରି ଶୁଣି ହସିଲେ ମନେ ମନେ ନରହରି ।

ବୋଇଲେ ରେ ଖଗେଶ୍ଵର କହିବା ତୁ ଶୁଣ

ଗତ କଥାକୁ ଭାବିବା ଅଟେ ଅକାରଣ ।

କାଲି ଯେ ଆସିବେ କଣ୍ଠ ବିକଣ୍ଠ ଏ ଦୁଇ

ମୁରର ସେ ବଡ଼ ସେନାପତି ବେନିଭାଇ ।

ଆସିବେ ଅପାର ସୈନ୍ୟ ସଙ୍ଗେ ସେହୁ ଘେନି

ଅଶୀପଦ୍ମ ବାଳା ପୁଣି ପୁରୁଷ ଯେ ତିନି ।

ମାରିବୁଁ ସେ ତିନି ରାକ୍ଷସଙ୍କୁ ଆମ୍ଭେ ଏକା

ସୁରତି ଯୁଦ୍ଧ କରି ତୁ ମାରିବୁ ନାୟିକା ।

ଷଡ଼ଯତିରେ ଜଣେ ମୁଁ ଅଟେ ମହାଯତି

ଯତି ହୋଇ କେମନ୍ତେ ମୁଁ କରିବଇଁ ରତି ।

ନୃସିଂହ କହିଲେ ତୋତେ କହିବା ଯେ ତତ୍ତ୍ଵ

ବୀର୍ଯ୍ୟକୁ ସ୍ତମ୍ଭିଣ ରତି କରିବୁ ବହୁତ ।

ଉଠିବ ଅନଳ ଜଳି ତାହାଙ୍କ ଶରୀରୁ

ତେବେ ସେ ସର୍ବେ ମରିଣ ତରିବେ ସଂସାରୁ ।

ଯତିଙ୍କ ଭିନ୍ନ ଆନ ନ ପାରେ କେହୁ ମାରି

ତୋହରି ପ୍ରାୟ ଯତି ଯେ ନାହିଁ ତିନିପୁରୀ ।

ଏଡ଼େ ହେଁ ବଳିଷ୍ଠ ଯତି ଅଛି କେହି କହ

ଶୁଣି ଗରୁଡ଼ ହସଇ ହୋଇ ଟହଟହ ।

ଗରୁଡ଼ ବୋଲେ ଶୁଣିମା ହେଉ ମହାପ୍ରଭୁ

ଯତିଙ୍କ ଉପରେ ଯତି ତୁମ୍ଭେ ଅଟ ସବୁ ।

ମୋହର କେବଳ ଅଛି ଯତିପଣ ସିନା

କି ରୂପେ ମାରିବି ଏକା ମୁହିଁ ଏତେ କନ୍ୟା ।

ଏ ନଷ୍ଟ କନ୍ୟା ପାଇଲେ କାହୁଁ ଏଡ଼େ ଶାପ

ତୁମ୍ଭ କୃପା ହେଲେ ଧରିପାରେ ବିଶ୍ଵରୂପ ।

ନୋହିଲେ ଏତେ ସ୍ତିରୀ ନ ପାରେ କେବେ ମାରି

ମାଇଲେ ସ୍ତିରୀହତ୍ୟା ନ ଲାଗୁ ମୋତେ ହରି ।

ନୃସିଂହ ବୋଇଲେ ତେବେ କହି ବାହୋଶୁଣ

ବୁଝିଲେ ତ ତୋର ମୋର ଅଟେ ଏକା ପ୍ରାଣ ।

ମୁଁ ଯେଣୁ କହିଲି ହେବ ନାହିଁ ହତ୍ୟା ଦୋଷ

ପୂର୍ବରୁ କହିଅଛନ୍ତି ମୋତେ ବେଦବ୍ୟାସ ।

ଶ୍ରୀ ବେଦବ୍ୟାସ ଆଜ୍ଞା ନ ଟଳେ କଦାଚିତେ

ସେ ସ୍ତିରୀଏ ନ ମରନ୍ତି ଆନଲୋକ ହସ୍ତେ ।

ବ୍ୟାସଙ୍କ ମୁଖୁଁ ଶାପ ସେ ପାଇଛନ୍ତି ପୂର୍ବେ

ବିଶେଷ କରି କହିବା ଶୁଣ ତୁମ୍ଭେ ଏବେ ।

ଅଶୀପଦ୍ମ ନାୟିକା ସେ ଇନ୍ଦ୍ର ପରିବାରୀ

ପ୍ରଭାତରୁ ଆସିଥିଲେ ଗଙ୍ଗାସ୍ନାନ କରି ।

ବ୍ୟାସଋଷିଙ୍କୁ ସେ ବଳା ଦେଖି ବାଟେ ଏକା

ମୁନିଙ୍କୁ ବଳେ ଓଟାରି ଧରି କଲେ ଝିଙ୍କା ।

କାମରେ ଭୋଳା ହୋଇ ସେ ବୟସର ଗର୍ବେ

ଋଷିଙ୍କୁ ସେ ପରିହାସ କଲେ ଯାଇ ସର୍ବେ ।

ବଳେଣ ସେ କଉପୁନି ଧରି ଉଛୁଡିଲେ

ଉଲଗ୍ନ ହୋଇଣ ଆଗେ ଉଭାରି ରହିଲେ ।

ଦେଖିଣ ମୁନି ତାହାଙ୍କୁ ହେଲେ ବିଷପ୍ରାୟ

ମନରେ ଯେ କ୍ରୋଧ ଜାତ ହେଲା ଅପ୍ରମେୟ ।

ବୋଇଲେ ପାପିଷ୍ଠ ଲୋ ରାକ୍ଷସୀ ବୁଦ୍ଧି କଲ

ଆମ୍ଭପରା ଋଷିଙ୍କୁ ତ ଚିହ୍ନି ନ ପାରିଲ ।

ଏ ଘେନି ରାକ୍ଷସୀ ହୁଅ ତୁମ୍ଭେମାନେ ଯାଇ

କରାଅ ଦୈତ୍ୟଙ୍କୁ ରତି ପ୍ଲକ୍ଷଦ୍ଵୀପେ ରହି ।

ଏ ରୂପେ ଶାପ ଦେଇଣ ଯାନ୍ତେ ମୁନିବର

ସେ ବୋଇଲେ ଆମ୍ଭଙ୍କୁ ହେ ମୁନି ଦୟାକର ।

ତୁମ୍ଭର ରୂପକୁ ଦେଖି ଆମ୍ଭେ ମନ କଲୁ

ତହିଁର ଏ ଦଶା ଆମ୍ଭେମାନେ ତ ଭୁଞ୍ଜିଲୁ ।

ବିଷ୍ଣୁଙ୍କର ରୁପ ପ୍ରାୟ ଦିଶେ ତୁମ୍ଭ ଜ୍ୟୋତି

ମାତିଲୁ ଭୋଳ ହୋଇଣ କରିବାକୁ ରତି ।

କେଉଁ ରୂପେ ଆମ୍ଭେ ମୋକ୍ଷ ହେବୁ ଆହେ କହ

ବ୍ୟାସ ବୋଇଲେ କହିବା ତେବେ ଶୁଣିଥାଅ ।

କାର୍ପଣ୍ୟ ହୋଇ ମାଗିଲ ଯେବେ ମୋକ୍ଷଗତି

ଆନଲୋକ ହାତେମଲେ ନୋହିବ ଯେ ମୁକ୍ତି ।

ଗରୁଡ଼କୁ ଭେଟିବ ଲୋ ତୁମ୍ଭେ ଯେତେବେଳେ

ବିଷ୍ଣୁଙ୍କର ଭକ୍ତ ସେହୁ ଅଟେ ସର୍ବକାଳେ ।

ତାହାକୁ ଦେଖିଲା କ୍ଷଣି ରତି କରାଇବ

ତେବେ ଯାଇ ତୁମ୍ଭେମାନେ ମୋକ୍ଷ ହୋଇଯିବ।

ଆନଲୋକ ବିହ୍ଵଳିତ ଦେଖି ହେଉଥିବେ

ରତି ଇଚ୍ଛାକରି ତତକ୍ଷଣେ ମରିଯିବେ ।

ତୁମ୍ଭଙ୍କୁ ପୁରୁଷ ଲୋକ ନ ପାରିବେ ଜିଣି

ପ୍ରାଣ ବିସର୍ଜିବେ ସେହୁ ରତି କଲା କ୍ଷଣି ।

ଘେନି ତୁମ୍ଭଙ୍କୁ କେହି ଜିଣି ନ ପାରିବେ

ସାତଦ୍ଵୀପ ରାଜାଯାକ ହାରି ପଳାଇବେ ।

ଆଜଠାରୁ ତୁମ୍ଭେମାନେ ରକ୍ଷକନ୍ୟା ହୁଅ

ତ୍ରିମୁଣ୍ଡା ବୀରକୁ ସେବି ପ୍ଲକ୍ଷଦ୍ଵୀପେ ଥାଅ ।

ଏହା ଶୁଣି ସୁନ୍ଦରୀଏ ରାକ୍ଷସୀ ଯେ ହୋଇ

ସେବିଲେ ସେ ତ୍ରିମୁଣ୍ଡାକୁ ବ୍ୟାସ ଆଜ୍ଞା ପାଇ ।

ଏ ରୂପେ କହି ସେ ବ୍ୟାସ ଗଲେ ଅନ୍ତର୍ଦ୍ଧାନେ

ଏହା ଶୁଣି ଖଗେଶ୍ଵର ହସେ ମନେ ମନେ ।

ଗରୁଡ଼ ବୋଇଲେ ସ୍ତିରୀ ଆସିବେ କି ରୂପେ

ବୁଝିଲେତ ଆମ୍ଭେ ରହିଥାଉ ଜମ୍ଵୁଦ୍ଵୀପେ ।

ନୃସିଂହ ବୋଇଲେ ମୁର ଆଣିବ ଡକାଇ

କାଲି ବେଳ ସାତ ଦଣ୍ଡେ ଦେଖିବୁ ଯେ ତୁହି ।

କର୍ଣ୍ଣାଟକ ବୋଇଲେ ନ ଭାଳ ମନେ କିଛି

କନକାବତୀ ନଗ୍ରକୁ ଅବଶ୍ୟ ଦେଉଛି ।

ମନ୍ତ୍ରୀକି ବୋଇଲେ ଅଟୁ ତୁହୋ କେଡ଼େ କ୍ଷତ୍ରୀ

ତ୍ରେତୟା ଯୁଗେ ସୁମନ୍ତ୍ର ନାମେ ହେବୁ ମନ୍ତ୍ରୀ ।

ତୁ ମୋତେ ନ ଛାଡୁ ମୁହିଁ ନ ଛାଡ଼ଇ ତୋତେ

ମନ୍ତ୍ରୀ ବୋଇଲେ ଆଜ୍ଞା କେ ମେଣ୍ଟିବ ଜଗତେ ।

ପ୍ରଭୁ ଆଜ୍ଞାରେ ସଂସାରେ ଆମ୍ଭେ ଅଟୁ ଏଡ଼େ

ତୁମ୍ଭ କୃପାରୁ ଆମ୍ଭଙ୍କୁ ଦୈତ୍ୟ ଛାର କେଡ଼େ ।

ଶୁଣିଣ ହସିଲେ ମନେ ମନେ ନାରାୟଣ

ଏଥି ଉତ୍ତାରୁ ଆସିଲେ ସ୍ଵର୍ଗୁ ଦେବଗଣ ।

ଦେଖିଲେ ବଦ୍ରିକା ଦେଶେ ହାଡ଼ମାଂସ ସମୟେ

ମରି ପଡ଼ିଛନ୍ତି ଦୈତ୍ୟ ବାରଯୁଣ ଯାଏ ।

ତିନିତାଲ ଉଚ୍ଚରେ ସେ ରକ୍ତନଦୀ ବହେ

ନୃତ୍ୟ ଗୀତ କରନ୍ତି ତା ଦେଖି ଦେବତାଏ ।

ଚନ୍ଦନ କୁଙ୍କୁମ ଗନ୍ଧ ପରାଗ ଅଗର

ପକାନ୍ତି ଦେବେ ନୃସିଂହ ପ୍ରଭୁଙ୍କର ଶିର ।

ବଦରିକା ଦେଶଯାକ କଲେ ପୁଷ୍ପବୃଷ୍ଟି

ସ୍ତୁତିକରି ଶ୍ରୀନୃସିଂହ ପାଦପଦ୍ମେ ଖଟି ।

ଜୟ ଜୟ ନୃସିଂହ ତୁ ସର୍ବରୂପ ଧରୁ

ମଞ୍ଚେ ଅବତରି ତୁହି ଦୈତ୍ୟକୁଳ ମାରୁ ।

ଜୟ ଜୟ ନୃସିଂହ ତୁ ଦେବଙ୍କର ବନ୍ଧୁ

ବ୍ରହ୍ମାଣ୍ଡକୁ ରକ୍ଷାକରୁ ଜନ୍ମି କ୍ଷୀରସିନ୍ଧୁ ।

ଜୟ ତୁ ନୃସିଂହ ଜୀବଙ୍କର ମୋକ୍ଷଦାତା

ଦୈତ୍ୟଙ୍କୁ ମାରି ବୋଲାଉ ସୃଷ୍ଟି ରକ୍ଷାକର୍ତ୍ତା ।

ଅନେକ ଅସୁର ଛନ୍ତି ଏ ପୃଥ୍ଵୀରେ ପୂରି

ମୁରର ଲାଗି କମ୍ପଇ ନିତ୍ୟ ବସୁନ୍ଧରୀ ।

ଏବେ ଆସି ଦୈତ୍ୟ କଲ ଥୋକାଏ ବିନାଶ

କାଲିକି ଆସିବେ କଣ୍ଠ ବିକଣ୍ଠ ରାକ୍ଷସ ।

ଅଟନ୍ତି ତ୍ରିମୁଣ୍ଡା ରାକ୍ଷସର ବେନି ପୋଏ

ପ୍ଲକ୍ଷଦ୍ଵୀପ ରାଜା ଅଟେ ସେହି ଦୈତ୍ୟରାୟ ।

ଆଣିଛି ପ୍ରୀତିରେ ବଶ କରି ମୃରାସୁର

ବଡ ପ୍ରତାପୀ ଅଟନ୍ତି ସେହି ବେନି ବୀର ।

ଅଶୀପଦ୍ମ ସୈନ୍ୟତାର ସର୍ବେ ଯୁବା ସ୍ତିରୀ

ପୁରୁଷ ହୋଇ ତାଙ୍କୁ ନ ପାରେ ଯୁଦ୍ଧ କରି ।

ରତି ରସ ଦେଇ ହୃଦେ ବସନ୍ତି ସେ ମାଡ଼ି

ଉଠ ଲୋ ସଖି ବୋଲୁ ଯେ ଆତ୍ମା ଯାଏ ଛାଡ଼ି ।

ତୁମ୍ଭବଳେ ତାଙ୍କୁ ଅବା ପାରିବ ଯେ ନାଶି

ନୋହିଲେ ଆନଲୋକ ନପାରେ କେ ଭରସି ।

ଏ ଘୋର ସଙ୍କଟରୁ ଯେ ତୁମ୍ଭେ ଉଦ୍ଧରିବ

କି ରୂପେ ଉପାୟ କରି ତୁମ୍ଭେ ସଂହାରିବ ।

ଏ ରୂପେ କହି ଶ୍ରୀପାଦପଦ୍ମ ଦେବେ ନମି

ମେଲାଣି ହୋଇ ଚଳିଲେ ସର୍ବେ ସ୍ଵର୍ଗଭୂମି ।

ଏଥିଉତ୍ତାରେ ନୃସିଂହ ଶେଷ ବେନି ଭାଇ

ତିନି ଦିବସ ଯାଏ ସେ ଯୁଦ୍ଧଥିଲେ ରହି ।

ଗଙ୍ଗାରେ ଯେ ନିତ୍ୟକର୍ମ ସାରି ବ୍ରହ୍ମରାଶି

ନଗରେ ଯେ ବିଜେକଲେ ସନ୍ଧ୍ୟାକାଳେ ଆସି ।

ସଭିଙ୍କୁ ମେଲାଣି ଦେଇ ଭିତରକୁ ଗଲେ

ମାତା ପିତାଙ୍କୁ ଦର୍ଶନ ବେଗେ ଯାଇ କଲେ ।

ଭୋଜନ ଯେ ଆଚମନ ସାରି ବେନିଭାଇ

ଭୁଞ୍ଜିଲେ ଗରୁଡ଼ ଆଦି ସର୍ବେ ସୁସ୍ଥ ହୋଇ ।

ଲକ୍ଷ୍ମୀଙ୍କ ପୁରରେ ବିଜେକଲେ ନାରାୟଣ

ବିପ୍ର ପୀତାମ୍ବର ଦାସ ସେ ପଦେ ଶରଣ ।

ବିହାରକଲେ ଯେ ପ୍ରଭୁ ଲକ୍ଷ୍ମୀକୋଳେ ଘେନି

ସେ ରସମାର୍ଗ ସାରଦା ପାରେ ଏକା ଚିହ୍ନି ।

ସେବାରେ ପହରୀ ଅଷ୍ଟସଖୀ ଜଗିବସେ

କ୍ଷୀର ବଇକୁଣ୍ଠ ପ୍ରାୟ ବଦରିକା ଦିଶେ ।

ଚଉଷଠିସସ୍ର କନ୍ୟା ନୃସିଂହ ବିଳସି

ସେବିଲେ ଯେ ଯାହା ସେବା ଘେନି ବ୍ରହ୍ମରାଶି ।

କେକୀପୁଚ୍ଛ ଢାଳଇ କେ ଢାଲଇ ଚାମର

ଆଲଟ ବିଞ୍ଚଇ କେହୁ ଚାପଇ ପୟର ।

ସବୁରି ମନ ନୃସିଂହ ଚକ୍ରପାଣି ମୋହି

କରନ୍ତି ଯେ ରସକେଳି ରୂପେ ରୂପେ ବହି ।

ଶ୍ରୀନୃସିଂହ ପ୍ରଭୁ କଥା ଅଟେ ଯୋଗମାୟା

ଯେସନକ ଜଳେ ଦୃଶ୍ୟ ହୁଏ ବିଦ୍ୟୁଚ୍ଛାୟା ।

ଦିଶନ୍ତି ସମସ୍ତଙ୍କୁ ସେ ଏକରୂପେ ପ୍ରାୟେ

ଚୌଷଠି ସସ୍ର ରୂପ ଶ୍ରୀ ନୃସିଂହ ମୟେ ।

ନିଜ ରୂପରେ ଲକ୍ଷ୍ମୀଙ୍କୁ କୋଳେ ପ୍ରଭୁ ଘେନି

କରନ୍ତି ଅତ୍ୟନ୍ତ ପ୍ରେମରସ ମନ ଚିହ୍ନି ।

ଚଉଷଠି ପରିବନ୍ଧ ଅଶୀମୁଦ୍ରା ଭେଦ

କ୍ରୀଡନ୍ତି କୋଳେ ଘେନି ଶ୍ରୀଲକ୍ଷ୍ମୀଙ୍କୁ ଗୋବିନ୍ଦ ।

ଆବର ଯେ ଶେଷ ଈଳା ଠାକୁରାଣୀ ତୁଲେ

ସୁପାତି ଶେଯ ପଲ୍ୟଙ୍କେ ଘେନି ବିଜେ କଲେ ।

ନାନା ବିନୋଦରେ କଲେ ସେରଜନୀ ଶେଷ

ଏଥି ଉତ୍ତାରେ ଉଠିଲେ ଶେଯୁ ଜଗଦୀଶ ।

ପ୍ରଭାତୁ ସାରିଲେ ନିତ୍ୟକର୍ମ ନାରାୟଣ

ବିପ୍ର ପୀତାମ୍ବର ଲେଖେ ନୃସିଂହ ପୁରାଣ ।

ପନ୍ଦର ସହସ୍ର ଗ୍ରନ୍ଥ କଲେ ବ୍ୟାସମୁନି

ଇତି ଶ୍ରୀନୃସିଂହ ପୁରାଣ ଏ ପୁଣ୍ୟଧ୍ୱନି ।

ଏହାକୁ ଯେ ଏକ ମନେ ପଢ଼ନ୍ତି ଶୁଣନ୍ତି

କୋଟିଏ ଗଙ୍ଗାସ୍ନାନର ଫଳ ସେ ଲଭନ୍ତି ।

ହରିଣୀକୁ ରଖିଥିଲେ ଯେହ୍ନେ ଜଗନ୍ନାଥ

ଶୁଣିବା ଲୋକେ ଯେ ତରିଯିବେ ପୁଣ୍ୟଗ୍ରନ୍ଥ ।

ଏହି ଚତୁର୍ଥ ସାଗର ନୃସିଂହ ପୁରାଣ

ପଢ଼ି ଶୁଣି ଭବୁ ଲୋକେ ପାରିହେବ ପୁଣ ।

ଆଦି ଅବତାରେ ଆଦ୍ୟ ଯୁଗର ଏ ଗ୍ରନ୍ଥ

ଭକ୍ତମନ୍ତ ଲୋକେ ଶୁଣି ହୋଇବେ କୃତାର୍ଥ ।

କଣ୍ଠ ବିକଣ୍ଠର ଯୁଦ୍ଧ ଓ ମୃତ୍ୟୁ

ଶ୍ରୀ ନାରଦ ମୁନି ପୁଚ୍ଛାକଲେ ବ୍ରହ୍ମା ଆଗେ

କହିବା ହେଉ ଯେ ମୃରାସୁର କଥା ବେଗେ

ମାଇଲେ ଯେ ଚାରି ସେନାପତି ଦେବରାଜ

ପଦାତି ଯେ ବାରପଦ୍ମ ଅଶୀଲକ୍ଷ ଗଜ ।

ଷାଠିଏଲକ୍ଷ ଯେ ହୟ ଯୁଦ୍ଧେ ଗଲେ କ୍ଷୟ

ଏମାନେ ମଲାରୁ କିସ କଲା ମୁରରାୟ ।

ନାରଦ ପୁଚ୍ଛନ୍ତେ କହୁଛନ୍ତି କୁଶପାଣି

ବୋଲନ୍ତି ଶୁଣହେ ଏବେ ମୁରଦୈତ୍ୟ ବାଣୀ ।

ମରନ୍ତେ ରାଜାର ସେନାପତି ପ୍ରଭୁ ହସ୍ତେ

ବନେ ଲୁଚିଥିଲେ ମୃରାସୁର ବେନିଦୂତେ ।

ସେନାଏ ମରିବା ଦେଖି ବାର୍ତ୍ତା ଗଲେ ଘେନି

ଶୁଣ ହେ ନାରଦ କହୁଛନ୍ତି ପଦ୍ମଯୋନି ।

ମୃରାସୁର ଆଗେ ଯାଇ କହିଲେ ଖବର

ସଭାରେ ବସିଅଛନ୍ତି ଅନେକ ଅସୁର ।

ସଭାରେ ଆସନ ପରେ ମୁର ଅଛି ବସି

ଏହି ସମୟରେ ଦୂତ ପ୍ରବେଶିଲେ ଆସି ।

ସଭାର ତଳେ ପ୍ରବେଶ ହେଲେ ଦୂତ ଯାଇ

ପ୍ରଣାମ କଲେକ ଦୂତେ ଶିରେ କରଦେଇ ।

ଆଗରେ ଉଭା ହୋଇଣ ଯୋଡ଼ି ବେନିକର

ମନ୍ତ୍ରୀ ବୋଇଲେ ତୁମ୍ଭରେ କେଉଁ ଦିଗ ଚାର ।

ଦୂତେ ବୋଇଲେ ଯେ ଥିଲୁ ବଦରିକା ଦେଶେ

ମୁର ବୋଇଲାରେ ଆସି ବସ ମୋର ପାଶ ।

ବଦରିକା ଦେଶ କଥା କହ ଭଲକରି

ଚାରି ସେନାପତି ମୋର ଗଲେ ତାଙ୍କୁ ମାରି ।

ବଲ୍ଲଭ ରାଜାପୁତ୍ରଙ୍କୁ ଜିଣିଲେକି କୁହ

ଶୁଣିଣ ସେ ଦୂତଙ୍କର ଶୁଖିଗଲା ମୁହଁ ।

ମୃରାସୁର ବୋଇଲା ନ କହ ହୁଅ ତୁନି

କହରେ ସେ ଚାରିସେନା ଗଲେ ସୈନ୍ୟଘେନି ।

ଦୂତେ ବୋଇଲେ ସରିଲା ଦେବତାଙ୍କ ଲଟ

ଗୋଟିଏ ତ ଦେଖିଲାକୁ ନାହାନ୍ତି ସେ ଥାଟ ।

ତହୁଁ ରାଜା ବୋଲେ କଥା ହୋଇଲା ସନ୍ଦେହ

ବଦ୍ରିକା ଗଡ଼ ଟାଳି କି ଆସିଲେ ରେ କହ ।

କହିବା ଲୋକେ ବୋଇଲେ ଶୁଣ ତେବେ ବସି

ବାରଲକ୍ଷ ବେଠିଆ ଯେ କୋଦାଳିଆ ମିଶି ।

ବଦରିକା ଗଡ଼େ ଲାଗି ଖୋଳି ତାଡ଼ି ଦ୍ୟନ୍ତେ

ନିତ୍ୟରାତ୍ରେ ପୁରେ ତାହା ଦେଖୁ ଆମ୍ଭେ ନେତ୍ରେ।

ଦିବସେ ଖୋଳନ୍ତେ ରାତ୍ରେ ଯାଏ ସବୁ ପୂରି

ବସିଲେ ଚାରି ସେନାଏ ଏ କଥା ବିଚାରି ।

ବୋଇଲେ ଏ ଗଡ଼ ଡେଇଁ ପଶିବରେ ଆସ

ପ୍ରାଣକୁ ନିଆଶା କରି ତାଙ୍କୁ ବେଗେ ନାଶ ।

ଯେ ମୁଖେ ପଡ଼ିବେ ତାଙ୍କୁ ହାଣିବା ସେଠାଏ

ଏଥକୁ ତୁମ୍ଭେ ମନେ ନ କର କିଛି ଭୟେ ।

ପଡ଼ିବେ ନୃସିଂହ ବେନିଭାଇ ଯେବେ ଆଗେ

ରାଜ୍ୟକୁ ଘେନିଣ ତାକୁ ନେବା ସଙ୍ଗେ ସଙ୍ଗେ ।

ଶ୍ରୀମହାରାଜା ଛାମୁରେ ଦେବା ବେଗେ ନେଇ

ଦେଖିଲେ କେଡ଼େ ଆନନ୍ଦ ହେବେ ନୃପସାଇଁ ।

ଏ ରୂପେ ବିଚାର ସିନା ପାଞ୍ଚନ୍ତେ ହୃଦରେ

ବଲ୍ଲଭପୋଏ ବସିଲେ ଆସି ପାଚେରୀରେ ।

ଦେଖିଣ ସେ ବେନି କୁଳ ହେଲେ ରୋଷାରୋଷ

ତୃତୀୟ ଦିନଯାଏ ହେ ହେଲା ରଣଘୋଷ ।

ଗରୁଡ଼ ବୋଲି ତାଙ୍କର ପକ୍ଷୀ ଏକ ଥିଲା

ହୁଁଙ୍କାର ନାଦେ ଉଠି ସେ କେଡ଼େ ଯୁଦ୍ଧ କଲା ।

ତୁମ୍ଭର ଯିବା ସୈନ୍ୟଙ୍କୁ ଅଧେ ଦେଲା ନାଶ

ତାହାର ବଳକୁ ଊଣା ହେବ ଦେବ କାଶୀ ।

ଆବର ରାଜା ଅଟଇ ଗୋଟିଏ କର୍ଣ୍ଣାଟି

ତାହାକୁ ନୁହନ୍ତି ସରି ନୃପ ଦଶକୋଟି ।

ସୁଜାଣ ବୋଲିଣ ମନ୍ତ୍ରୀ ଅଛି ଆଉ ଜଣେ

ଏକା ଶରକେ ମାଇଲା ସୈନ୍ୟ ପଣେ ପଣେ ।

ବଲ୍ଲଭପୁତ୍ରର କିସ କହିବାକ ବାଣୀ

ଚକ୍ରେ ଚାରି ସେନାପତି ମୁଣ୍ଡ ଦେଲେ ହାଣି ।

ତିନି ତାଳ ଉତ୍ସର୍ଗରେ ବହେ ରକ୍ତ ନଦୀ

ମଡ଼ା ପଡ଼ିବାରେ ପୃଥ୍ଵୀ ଉଠେ ପୂରି ଗନ୍ଧି ।

ବାରପଦ୍ମ ସୈନ୍ୟ ତୋର ଗଲେ ସବୁ କ୍ଷୟେ

ବେଠିଆ ଯେ କୋଦାଳିଆ ନାହାନ୍ତି ଗୋଟିଏ ।

ଏତେକ ଦେଖିଣ ଆମ୍ଭେ ଆସିଛୁଁ ନିକର

ଶୁଣି ମୁର ନେତ୍ରୁ ବହେ ଲୋତକର ଧାର ।

ବସିଲା ପଲକ ନ ପକାଇ ଦଣ୍ଡେ ଯାଏ

ଆକୁଳ ହୋଇଣ ଶୋକେ ଛାଡ଼ିଲା ରଡ଼ିଏ ।

ବୋଇଲା ଏକା କରିରେ ମୋତେ ଗଲ ଛାଡ଼ି

ବୁଝିବା ନ ଯୁଦ୍ଧ କଲେ ବିପ୍ରଙ୍କର ପ୍ରୌଢ଼ି ।

ପନ୍ନଗ ପରାୟେ ସିନା ବିପ୍ର ବୁଦ୍ଧି ମାତ୍ର

ମୋର ପ୍ରାୟ କ୍ଷତ୍ରିକି ସେ ଦିବାକଲା ରାତ୍ର ।

ବେନି ସମ୍ବତ୍ସର ଆଣି ରଖିଲି ମୁଁ ଘରେ

ଗୁପତେ ମାରିବେ ବୋଲି ପାଞ୍ଚିଲି ମନରେ ।

ମାରିଥିଲେ ବିଷ ଦେଇ ଯାଇଥାନ୍ତା ପାପ

ଏତେ କଥା କାହିଁପାଇଁ ପଡ଼ନ୍ତାରେ ବାପ ।

ଦେଖୁ ଦେଖୁ ମୋ ଚଉଦ ସେନାପତି ମଲେ

ପୁଞ୍ଜା ପୁଞ୍ଜା ହୋଇ ଯାଇ ବାହୁଡ଼ି ନଇଲେ ।

ବ୍ରାହ୍ମଣକୁଳରେ ଜନ୍ମି ମେଳିଆ ସେ ହୋଇ

ପୁତ୍ରଙ୍କୁ ମାଇଲେ ମୋର ଶ୍ରୀଗୁରୁ ବୋଲାଇ ।

ସେନାପତିମାନେ ମୋର ଯିବା ମାତ୍ରେ ଦେଖ

ଦେଇଛି ମାରି ସେ ବିପ୍ର ସୈନ୍ୟ ପଦ୍ମ ଶଙ୍ଖ ।

ମାନବ ଦେହ ବହି ମୋ ସଙ୍ଗେ ବାଦୀ ହେଲା

ତାହାକୁ ଡରିଣ ମୁହିଁ ରହିବି କି ଭଲା ।

ଆହେ କଣ୍ଠ ବିକଣ୍ଠ ଯା କହିବି ତା ଶୁଣ

ବଦ୍ରିକା ଦେଶଯାଏ ମୁଁ ଯାଉଅଛି ପୁଣ ।

ନୃସିଂହ ବେନି ଭାଇଙ୍କି ଧରିଣ ଆଣିବି

ମାଉଁସ କାଟି ତହିଁରେ ରାଇ ଲଗାଇବି ।

ମାତା ରାଣ୍ଡିକି ଧରିଣ ଆଣିବି ଘୋଷାଡ଼ି

ନାସା ଶ୍ରବଣ କାଟିଣ ଦାଣ୍ଡେ ଦେବି ଛାଡ଼ି ।

କୃଷ୍ଣବଲ୍ଲଭକୁ ଆଣି ବସାଇବି ଶୂଳେ

ନଗ୍ର ଲୋକଙ୍କୁ ପେଶିବି ଆଜ ଯମଆଳେ ।

ଏ କଥାଯାକ ଯାଇ ମୁଁ କଲାପରେ ଜାଣ

କର୍ଣ୍ଣାଟେଶ୍ଵରକୁ ମାରି ଘେନିବି ତା ପ୍ରାଣ ।

ସେ ପୁଣି ମୋହର ରାଜ୍ୟେ ହେବ ଆସି ରାଜା

ନୃସିଂହ ଘରେ ଅଛି ନ ପାଇ ମନେ ଲଜ୍ଜା ।

ଖାଇଣ ସେ ଏକମାଡ଼େ ପକାଇଛି ଭାଜି

ବ୍ୟର୍ଥେ ମୋତେ ଅଭିମାନେ ମାରୁଅଛି ଗଞ୍ଜି ।

ଈଶ୍ଵର ଦେଇ ଅଛନ୍ତି ଯେ ବର ଆମ୍ଭଙ୍କୁ

ବ୍ରହ୍ମା ପ୍ରଳୟ ପର୍ଯ୍ୟନ୍ତ ଦେହ ଧରିବାକୁ ।

ଶୁଣରେ କଣ୍ଠ ବିକଣ୍ଠ ବେନି ସେନାପତି

ବଦ୍ରିକା ଦେଶକୁ ମୁହିଁ ଯାଉଛି ସମ୍ପ୍ରତି ।

ଆମ୍ଭେ ଆସିବା ଯାଏ ଏ ସଭା ମଧ୍ୟେ ଥାଅ

ବେହେରା ଯେ ମହାପାତ୍ର ପଣେ ଦିଅନିଅ ।

ଏହିରୂପେ ମୃରାସୁର କହନ୍ତେ ସଭାରେ

ଉଠିଲେ ସେ ବେନିଭାଇ ଗଦା ଧରି କରେ ।

ବୋଇଲେ ଆମ୍ଭେ ଥାଆନ୍ତେ କେହ୍ନେ ତୁମ୍ଭେ ଯିବ ଏଥର ନ ଗଲେ ଆମ୍ଭେ ଧର୍ମହାନି ହେବ ।

ଲକ୍ଷେ ବରଷ ରହିଲୁଁ ଆମ୍ଭେ ତୁମ୍ଭପାଶେ

ଆପଣଙ୍କ ଅନ୍ନ ଖାଇ ବଞ୍ଚି ବାରମାସେ ।

ସଂସାରଲୋକେ ଶୁଣିଲେ କି ବୋଲି ବୋଲିବେ

ଆମ୍ଭଙ୍କୁ ସଭା ଅଯୋଗ୍ୟ ବୋଲି ଝିଙ୍ଗାସିବେ ।

ବୋଲିବେ ତାଙ୍କର କିଛି କ୍ଷତ୍ରିପଣ ନାହିଁ

ସ୍ତିରୀଏ ବସିଲା ପ୍ରାୟ ରହିଥାନ୍ତି ସେହି ।

ଠକପଣ ବହି ଖାଉ ଥାନ୍ତି ସବୁ ଜଟି

ରାଜା ଅସମୟେ ନ ଲାଗନ୍ତି ଯୁଦ୍ଧେ ଉଠି ।

ଏ ରୂପେ ବୋଇଲେ ଲଜ୍ଜା ବହୁତ ହୋଇବ

ଆମ୍ଭେ ଥାଉ ଥାଉ ତୁମ୍ଭେ ଯୁଦ୍ଧେ କିମ୍ପା ଯିବ ।

ନିର୍ଲ୍ଲଜ ଲୋକ ନିନ୍ଦାକୁ କେବେ ନ ଡରନ୍ତି

ଆପେ ଆପେ ବଡ଼ ଲୋକରେ କହନ୍ତି ।

କେତେକାଳୁ ରହି ଖାଉଛୁ ତୁମ୍ଭ ଅନ୍ନ

ମହାକ୍ଷତ୍ରୀ ହୋଇ କିମ୍ପା ରଖିବା ଜୀବନ ।

ମହାକ୍ଷତ୍ରୀ ହୋଇ ଯେବେ ଯୁଦ୍ଧକୁ ସେ ଡରେ

ତାର ପ୍ରାଣ ଅକାରଣ ଅଟଇ ସଂସାରେ ।

ଆମ୍ଭଙ୍କୁ ସେହୁ ମାରୁ ବା ଆମ୍ଭେ ତାଙ୍କୁ ମାରୁ

ଆମ୍ଭେ ଥାଉଁ ତୁମ୍ଭେ କାହିଁ ପାଇଁ ଯିବ ଘରୁ ।

କ୍ଷତ୍ରିୟ ହୋଇ ଯୁଦ୍ଧକୁ ରହେ ଯେବେ ଡରି

ନ କରଇ କର୍ମ ଯେହୁ ହୋଇ ବ୍ରହ୍ମଚାରୀ ।

ପଣ୍ଡିତ ହୋଇ ଯେବେ ନ କହେ ମଞ୍ଜୁବାଣୀ

ଦାତା ହୋଇଣ ଅଧର୍ମେ ଗମେ ଯେବେ ପ୍ରାଣୀ।

ସେବକ ହୋଇ ସାଆନ୍ତ ଆଜ୍ଞା ଯେବେ ମେଣ୍ଟେ

ଶିଷ୍ୟ ଗୁରୁଙ୍କ କଥାରେ ଯଦ୍ୟପି କି ଜଟେ ।

ଭଣ୍ଡୁଥାଇ ମୂର୍ଖପଣେ ଦେବା ବୋଲି ନିତି

ସଂସାରେ ଲୋକଯାକେ ସେ ଅଟଇ ବିଜାତି ।

ଭାରିଯା ହୋଇଣ ଯେବେ ହୁଏ ଦୋଚାରୁଣୀ

ପାକାସ୍ପରଶ ସ୍ତିରୀକି ରମେ ଯେହୁ ପୁଣି ।

ନୃପତି ହୋଇଣ ଯେବେ ନ୍ୟାୟ ନ କରଇ

ମହାକ୍ଷତ୍ରୀ ହୋଇ ଯେବେ ଯୁଦ୍ଧକୁ ନ ଯାଇ ।

ଏତେ ଲୋକମାନେ ଜାଣ ନରକେ ପଡ଼ନ୍ତି

ଆମ୍ଭଙ୍କୁ ପେଶ କନକାବତୀ ନରପତି ।

ତୁମ୍ଭର ଅନ୍ନ ଖାଇଣ ଏତେ ଦିନ ଯାଏ

କିଛି ଗୁଣ କରିନାହୁଁ ତ୍ରିମୁଣ୍ଡାର ପୋଏ ।

ଏବେ ଆଜ୍ଞା ଦିଅ ଦେଖ ଆମ୍ଭ କରାମତ

ବଦ୍ରିକା ନଗରେ ଗଲେ କରିବୁ ଧୂମାନ୍ତ ।

ବଲ୍ଲଭ ପୁତ୍ରଙ୍କ ମୁଣ୍ଡ ଆଣିଦେବୁ ହାଣି

କରିବୁ ତୁମ୍ଭର ଅନ୍ନ ଯେବେ ଭୋଗ ପୁଣି ।

ଶୁଣିଣ ସେ ମୃରାସୁର ଆନନ୍ଦିତ ହେଲା

ଯାଅ ଯାଅ ବୋଲି କଣ୍ଠେ ସ୍ଵର୍ଣ୍ଣମାଳା ଦେଲା ।

କର୍ପୂର ଚନ୍ଦନ ଅଙ୍ଗେ ଲେପିଲାକ ପୁଣି

ହୀରାର ପଦକ ଗଳେ ଲମ୍ବାଇଲା ଆଣି ।

କଣ୍ଠ ବିକଣ୍ଠ ଯେ ବେନି ହେଲେ ମହାତୋଷ

ଭୁଞ୍ଜିଲେ ରାଜାର ସଙ୍ଗେ ବସି ଷଡ଼ରସ ।

ସେ ଦିନ ଯେ ଏହିରୂପେ ରାତି ଗଲା ପାହି

ଯୁଦ୍ଧେ ବାହାରିଲା କଣ୍ଠ ବିକଣ୍ଠ ଏ ଦୁଇ ।

ମୋହିନୀ କନ୍ୟାମନଙ୍କୁ ଦେଲେ ପରମାଣ

ବୋଇଲେ ଚାଲ ପଡ଼ିଲା ଏବେ ବରଗଣ ।

ଯେ ଯାହାର ଅନୁରୂପେ ବ୍ୟଗ୍ରେ ହୁଅ ସଜ

ବଦ୍ରିକା ଦେଶେ ମାରିବା ଯାଇଁ ଦେବରାଜ ।

ଶୁଣିଣ ନାଗରୀମାନେ ହେଲେ ହସ ହସ

ବୋଇଲେ ମିଳିଲା କେତେକାଳେ ଯୁଦ୍ଧ ରସ ।

ଚାଳିଶପଦ୍ମ ଯେ ନାରୀ ସର୍ବେ ନବଯୁବା

ସୁନ୍ଦୂର କଜ୍ଜ୍ଵଳ ଘେନି ପ୍ରକାଶିଲେ ଶୋଭା ।

ମଥାରେ ଖୋଲରୀ ଖୋଷୀ ସଙ୍ଗତେ ଚଉଁରୀ

ମାଣିକ ମୁକୁତା ହୀରା ନୀଳା କେରି କେରି ।

ଶିର ପରେ ସୀମନ୍ତିନୀ ସ୍ୱର୍ଣ୍ଣଜାତି ହୀରା

ମାଣିକ୍ୟ ମାରାଗ ମୋତି ପଦ୍ମ କେରା କେରା ।

ନୟନେ କଜ୍ଜ୍ଵଳ ରେଖା କର୍ଣ୍ଣମୂଳ ଯାଏ

ନାସାରେ ବସଣୀ ଗଜମୁକ୍ତା ଶୋଭାପାଏ ।

କଣ୍ଠରେ ପୋହଳା ହେମକଣ୍ଠ ନୀଳମଣି

ଅଷ୍ଟରତ୍ନରେ ପଦକ ହୋଇଲେ ଖଞ୍ଜଣି ।

ଇନ୍ଦ୍ର ଗୋବିନ୍ଦର ପାଟ କାଛେଣି ଯେ ଭିଡ଼ି

ତଥିପରେ ବସାଇଣ ମୁକ୍ତା ଧାଡ଼ି ଧାଡ଼ି ।

କଙ୍କଣ ମୁଦ୍ରିକା ଚିତ୍ର ତାଡ଼ ଯୋଡ଼ି ଯୋଡ଼ି

ନାନା ଅଳଙ୍କାରେ ମଣ୍ଡି ହୁଅନ୍ତି ସଜାଡ଼ି ।

ପାଦେ ବାଜେଣି ନୂପୁର ବଳା କଣ୍ଠିକମ

ହୀରା ନୀଳା ମାଣିକ୍ୟ ଘାଗୁଡ଼ି ଝମ ଝମ ।

ଚରଣ ଦେଶ ଅଙ୍ଗୁଳି ଦଶବର୍ଣ୍ଣେ ମୁଦି

ଚଳନ୍ତି ନାଗରୀମାନେ ନୂଆବସ୍ତ୍ର ପିନ୍ଧି ।

ରଣମଲ୍ଲ ମୋହିନୀଏ ସୁବେଶ ଯେ ହୋଇ

ପାଲିଙ୍କି ଖଟ ଉପରେ ବସିଲେକ ଯାଇ ।

ହାନ୍ଦୋଳା ପଲ୍ୟଙ୍କ ବୋଳା ଚଳେ ମାଳମାଳ

ଧାଡ଼ି ଧାଡ଼ି ହୋଇ ବାଳି ଚଳନ୍ତି ସକଳ ।

ଏଥି ଉତ୍ତାରେ ସେ କଣ୍ଠ ବିକଣ୍ଠ ଯେ ଦୁଇ

ବାହାରିଲେ ମୃରାସୁର ଅଗେ ସଜ ହୋଇ ।

ମେଲାଣି ମାଗିଣ ଗଲେ ରଥେ ବିଜେ ହୋଇ

ପ୍ରଚଣ୍ଡ ଚଣ୍ଡ ଏ ବେନି ନ୍ୟନ୍ତି ରଥ ବାହି ।

ପାଞ୍ଚଲକ୍ଷ ଅଶ୍ଵ ଦଶଲକ୍ଷ ଗଜଯାଏ

ଏତେକ ଯେ ଦେଲା ତାଙ୍କ ସଙ୍ଗେ ମୁରରାୟେ ।

ପଛରେ ଯେ ଅଶ୍ଵବଳ ଆଗେ ଗଜବଳ

ମଝିରେ ଚଳନ୍ତି କଣ୍ଠ ବିକଣ୍ଠ ଚଞ୍ଚଳ ।

ମହା ପ୍ରତାପରେ ଯାଉଛନ୍ତି ବେନିଭାଇ

ନୃସିଂହ ମାରିବେ ବୋଲି ନିଶେ ହାତଦେଇ ।

ହସ୍ତରେ ଯେ ଗଦାମାନ ଦୁହେଁ ଛନ୍ତି ଧରି

ପଡ଼ିଲେ ସେ ଗିରିବରେ ହୋଇଯିବେ ଚୂରି ।

ଏ ରୂପେ ବଳିଷ୍ଠ କଣ୍ଠ ବିକଣ୍ଠ ଯେ ବେନି

ପ୍ଲକ୍ଷଦ୍ଵୀପ ମୁର ତାଙ୍କୁ ଆସିଅଛି ଘେନି ।

ଯୁବତୀବୃନ୍ଦ ଘେନିଣ ଯାନ୍ତି ବେନିବୀର

ବାଜେ ବୀରବାଦ୍ୟମାନ ତହିଁ ଅଗୋଚର ।

ମହା ପ୍ରତାପରେ ହସ୍ତୀବଳ ଚଳୁଛନ୍ତି

ଚରଣ ଆଘାତେ ଗିରିବର ଟଳୁଛନ୍ତି ।

ତହିଁ ପଛରେ ମୋହିନୀଗଣ ସୈନ୍ୟ ସାଜେ

ମଧ୍ୟରେ ସେ ବେନି ଦୌତ୍ୟ କରୁଥାନ୍ତି ବିଜେ ।

ଚଳନ୍ତି ତହିଁରେ ପଛେ ସୈନ୍ୟ ଅକଳନା

କରନ୍ତି ଶୂନ୍ୟରେ ଦେଖି ଦେବ ମନ ଊଣା ।

ବୋଲନ୍ତି ଏତେକ ସୈନ୍ୟ ଆନେନୋହେମାରି

ମାଇଲେ ମାରିବେ ଏକା ଉପାୟେ ଶ୍ରୀହରି ।

ଏମନ୍ତ ଯୁବତୀଙ୍କୁ ଯେ ଛୁଇଁଲେ ଶ୍ରୀହାନି

ଏହାଙ୍କୁ ମାରି ରଖିବେ ପ୍ରଭୁ ପୁର ତିନି ।

ଦିବସ ଅନ୍ଧାର ଏହୁ କଲେ ବେନି ଭାଇ

ଏ ପୃଥ୍ଵୀ ରକ୍ଷା କରିବେ ପ୍ରଭୁ ଲକ୍ଷ୍ମୀସାଇଁ ।

ଏ ରୂପେ କଥା ହୁଅନ୍ତେ ବସି ଦେବଗଣେ

କୁହାଟ ଦେଇ ସ୍ତିରୀଏ ଯାନ୍ତି ବୀର ପଣେ ।

ପ୍ରବେଶ ହୋଇଲେ ଯାଇ ବଦରିକା ଦେଶ

ବୈଶାଖ ଶୁକଳପକ୍ଷ ଦଶମୀ ପ୍ରବେଶ ।

ଶୁଣ ହେ ନାରଦ ଋଷି ବଦ୍ରିକାର ବାଣୀ

ଯେଉଁ ତୋଟା ରୋପିଛନ୍ତି ପ୍ରଭୁ ଚକ୍ରପାଣି ।

ତହିଁରେ ଯାଇ ସ୍ତିରୀଏ ହୋଇଲେ ପ୍ରବେଶ

ଦେଖି ତୋଟାକୁ ସ୍ତିରୀଏ ହେଲେ ହସ ହସ ।

ଯେ ଯାହା ଲୋଡ଼ିବେ ବନେ ମିଳଇ ସେ ଫଳ

ଏକେତ ଗ୍ରୀଷ୍ମକାଳ ଫଳ ପକ୍ୱ ବେଳ ।

ଯହିଁରେ ଚାରିସହସ୍ର ଯୋଜନ ସେ ବନ

ରୋପି ଅଛନ୍ତି ପ୍ରତ୍ୟକ୍ଷେ ପ୍ରଭୁ ଭଗବାନ ।

ସେ ବନର ଫଳଭୁଞ୍ଜି ହେଲେ ସର୍ବେତୋଷ

ରହିଲେ ସେ ଯୁବତୀ ସଜାଡ଼ିଣ ବାସ ।

କଣ୍ଠ ବିକଣ୍ଠ ଏ ବେନି ଘର ତହିଁ ବାନ୍ଧି

ଗଡୁଆ ଆବର ତମ୍ବୁ ଟାଣି ବନ ରୁନ୍ଧି ।

ରହିଲେ ସୁସ୍ଥାନ ସୁଖ ପାଇ ଦିନା କେତେ

ବିଚାର କଲେକ ଶୁଣି ତ୍ରିମୁଣ୍ଡାର ସୁତେ ।

ବୋଇଲେକ ବିଷ୍ଣୁ ତୁଲେ ଯେବେ ହେବା ବାଦୀ

ପିତାଙ୍କୁ ତ ନ କହିଲେ ନୁହେଁ କାର୍ଯ୍ୟସିଦ୍ଧି ।

ଏଠାକୁ ବାପାକୁ ଆମ୍ଭେ ନ ଆଣିବା ଯେବେ

ହାରିଲେ ତ ଆମ୍ଭ ପିତା ମନେ ଝୁରୁଥିବେ ।

ଆମ୍ଭର କରାମତି ଯେ ନ ଜାଣିବେ କେହି

ମିଶିଣ କରିବୁ ବାପ ପୋଏ ଯୁଦ୍ଧ ଯାଇ ।

ଏ ରୂପେ ପାଞ୍ଚି ବିକଣ୍ଠ କଣ୍ଠ ବେନି ପୋଏ

ବସିଲେ ଭୁବନେଶ୍ଵରୀ ମନ୍ତ୍ର କରି ଧ୍ୟାୟେ ।

କଳ୍ପନା କରି ପଡ଼ନ୍ତେ ଲକ୍ଷେ ମନ୍ତ୍ରାବଳୀ

ଜାଣିଲା ତ୍ରିମୁଣ୍ଡା ଯାନ୍ତେ ଆସନ ଯେ ଟଳି ।

ବୋଇଲା ପୁତ୍ରକୁ ମୋର ପଡ଼ିଲା ଆଘାତ

ସଙ୍କଟ ନ ପଡ଼ିଲେ କି ଲୋଡ଼ିଲେ ମୋ ସୁତ ।

ଯୁବତୀ ସୈନ୍ୟ ଡକାଇ ଆଣି ସେହି ଲାଗେ

ବୋଇଲା ଜମ୍ବୁଦ୍ଵୀପକୁ ଚାଲ ଯିବା ବେଗେ ।

ବୋଇଲା ଦେଶକୁ ପୁତ୍ରେ ଅଛନ୍ତି ମୋ ଆସି

ଦେଇଅଛି ମୃରାସୁର ଯୁଦ୍ଧେ ତାଙ୍କୁ ପେଶି ।

ସେଠାରେ ପ୍ରବେଶ ହେବା ଚାଲ ବେଗେ ଯାଇ

ମନ୍ତ୍ରବଳରୁ ଏ କଥା ମୋତେ ଜଣା ହୋଇ ।

ଶୁଣିଣ ସେ ନାରୀଟିଏ ହେଲେ ହସ ହସ

ପାଞ୍ଚିଲେ ମିଳିଲା କେତେ କାଳେ ସ୍ଵର୍ଗବାସ ।

ବ୍ୟାସଙ୍କର ଦେଲା ଶାପ ହେଲା ଆସି ସିଦ୍ଧି

ବଦ୍ରିକା ଗଲେ ଦେଖିବୁ ପ୍ରଭୁ ଦୟାନିଧି ।

ନୃସିଂହଙ୍କ ମୁଖ ଦେଖି ହେବା ପରିତ୍ରାଣ

ଗଲେ ହେଁ ମୋକ୍ଷ କରିବେ ନିଶ୍ଚେ ନାରାୟଣ ।

ଏ ରୂପେ ପାଞ୍ଚିଣ ସ୍ତିରୀ ଚଳିଲେ ତତ୍ପର

ଶୁଣନ୍ତି ନାରଦ କହୁଛନ୍ତି ବେଦବର ।

ଯୁବତୀଙ୍କୁ ଧରି ସେ ତ୍ରିମୁଣ୍ଡାସୁର ରାୟ

ଚଳିଲାକ ରଥ ଚଢ଼ି ହୋଇ ବୀର ପ୍ରାୟ ।

ବଦ୍ରିକା ଦେଶରେ ଯାଇ ହୋଇଲେ ପ୍ରବେଶ

କଣ୍ଠ ବିକଣ୍ଠ ଦେଖିଣ ହୋଇଲେ ହରଷ ।

ପିତାଙ୍କୁ ଯେ ନମସ୍କାର କଲେ ବେନିଭାଇ

ମୁରର ଯେ କଥାଯାକ ବସିଲେକ କହି ।

ଶୁଣିଣ ତ୍ରିମୁଣ୍ଡାସୁର ନିଶେ ହାତ ଦେଲା

କାହିଁରେ ନୃସିଂହ ବୋଲି କରି ପଚାରିଲା ।

ପୁତ୍ର ବୋଇଲେ ହେ ତାତ ଶୁଣ ଆମ୍ଭ ବାଣୀ

ବଇକୁଣ୍ଠ ଭଗବାନ ଅଟନ୍ତି ସେ ପୁଣି ।

କୃଷ୍ଣବଲ୍ଲଭର ଘରେ ହେଲେ ଆସି ଜନ୍ମ

ଶ୍ରୀ ନୃସିଂହ ଶେଷ ବୋଲି ବହିଛନ୍ତି ନାମ ।

ମୃରାସୁର କୁ ବହୁତ ଦେଲେ ସେହୁ ଦୁଃଖ

ମଲେଣି ସତର ଲକ୍ଷ ପୁତ୍ର ନାତି ଯାକ ।

ଆବର ଚଉଦସେନା ଗଲେ ମଧ୍ୟ ମରି

ମୋତେ ପେଶିଛନ୍ତି ବଡ଼ ଭରସା ସେ କରି ।

ଆବର କହିବି କିସ ସୈନ୍ୟଙ୍କ ମରୁଡ଼ି

ତ୍ରିମୁଣ୍ଡାସୁର ଚାହିଁଲା କରେ ନିଶମୋଡ଼ି ।

ବୋଇଲା ମୋହର କମ୍ପେ ଦେହ ଏହା ଶୁଣି

ମୁରକୁ ନିର୍ବଂଶ କରି ଦେଲା ଚକ୍ରପାଣି ।

ଆଗହୁଁ ସେ ଯେବେ ମୋତେ ଲୋଡ଼ି ଆଣିଥାନ୍ତା

କାହିଁକି ମୃରାସୁର ଟି ଅପୁତ୍ରିକ ହୋନ୍ତା ।

ବଲ୍ଲଭ ରାଜାପୁତ୍ରେ କି କରନ୍ତା ବିନାଶ

ମୋତେ ଦେଖିଥିଲେ ଛାଡ଼ିଯାନ୍ତେ ରାଜ୍ୟଦେଶ।

ଏ ରୂପେ ନିଶ ମୋଡ଼ିଣ କହନ୍ତେ ତ୍ରିମୁଣ୍ଡା

ଶୁଣିଣ କଣ୍ଠ ବିକଣ୍ଠ ମାରନ୍ତି ଯେ ହେଣ୍ଡା ।

ଏଥି ଉତ୍ତାରେ ଯେ କଥା ନାରଦ ହେ ଶୁଣ

ଅସୁର ଆସିବା ଜାଣିପାରି ନାରାୟଣ ।

କର୍ଣ୍ଣାଟେଶ୍ଵରକୁ ସିଂହଦ୍ଵାରେ ରଖାଇଲେ

ଗଡ଼େ ନ ପଶନ୍ତୁ ଦୈତ୍ୟ ବୋଲି ଆଜ୍ଞା ଦେଲେ।

ସୁଦର୍ଶନକୁ ଚାହିଁଣ ପୁଣି ଜଗନ୍ନାଥ

ବୋଇଲେ ପୁରବାସୀ କେ ନ ପଶୁ ଏ ପଥ ।

ତ୍ରିମୁଣ୍ଡା ଅସୁର ଆସିଛି ଯୁଦ୍ଧ କରି

କଣ୍ଠ ବିକଣ୍ଠ ଯୋଡ଼ିଏ ପୁତ୍ର ସଙ୍ଗେ ଧରି ।

ଅଛଇ ଯେ ଅଶୀପଦ୍ମ ସ୍ତିରୀ ସଙ୍ଗେ ଆଣି

ବୁଝିବୁ ତାହାଙ୍କ ଯୁଦ୍ଧକଥା ପଛେ ପୁଣି ।

ଶୁଣିଣ ସେ ସୁଦର୍ଶନ ଶ୍ରୀଆଜ୍ଞା ପ୍ରମାଣ

ଗଡ଼ ଜଗିବାକୁ ସେହି ବାହାରେ ତକ୍ଷଣ ।

ଗରୁଡ଼ ମୋହର ଏକା ମୋହିନୀ କନ୍ୟାଙ୍କୁ

ମୁକତି କରିଣ ପେଶିଦେବ ସ୍ଵର୍ଗେ ତାଙ୍କୁ ।

ଏ ନାରୀଏ ବ୍ୟାସଶାପ ପୂର୍ବେ ଥିଲେ ପାଇ

ପ୍ଲକ୍ଷଦ୍ଵୀପୁଁ ଆସିଛନ୍ତି ରଣ ପାଇଁ ଧାଇଁ ।

ଖଗେଶ୍ଵରକୁ ଚାହିଁଲେ ପୁଣି ନାରାୟଣ

ବୋଇଲେ କରିବି ଆଜ ତୋତେ ଘେନି ରଣ ।

ମୃରାସୁର ପେଶିଅଛି ଦୁଇ ସେନାପତି

କଣ୍ଠ ବିକଣ୍ଠ ନାମରେ ବିଦିତ ଅଟନ୍ତି ।

ତାହାର ସଇନି ଯାକ ସବୁ ସ୍ତିରୀମୟ

ତାହାଙ୍କ ପ୍ରାଣ ତୋହରି ହାତେ ଯିବ କ୍ଷୟ ।

ପ୍ଲକ୍ଷଦ୍ଵୀପ ରାଜା ଆସିଅଛି ଜମ୍ବୁଦ୍ଵୀପ

ଅଶୀପଦ୍ମ ସୈନ୍ୟ ଘେନି ସବୁ ସ୍ତିରୀ ରୂପ ।

ସେ ରାଜାକୁ ବରି ଆଣିଅଛି ଆଗୁଆଣି

ଦେଖିଲେ ଯୁଝିବା ଲୋକ ମୋହି ହେବେ ପୁଣି।

ତୋତେ ତ ଆଗରୁ କହିଅଛୁ ତାଙ୍କ ନୀତି

ଅଶୀପଦ୍ମ ଏବେ ହୁଅ ତୁ ଗରୁଡ଼ ଯତି ।

କଣ୍ଠ ବିକଣ୍ଠର ପ୍ରାଣ ମୁହିଁ ନେବି ପୁଣ

ତ୍ରିମୁଣ୍ଡାସୁରକୁ ତୁହି ମାରିବୁ ଯେ ଜାଣ ।

ଶୁଣିଣ ସେ ଖଗେଶ୍ଵର ଆଜ୍ଞା ପରମାଣେ

ବୋଇଲା ସ୍ତିରୀଙ୍କ ସଙ୍ଗେ ଯୁଝିବି ମୁଁ ରଣେ ।

ଗରୁଡ଼ ମୁଖରୁ ଶୁଣି ଉଠି ଦେବରାଜେ

ଶଙ୍ଖ ଚକ୍ରାଗଦା ପଦ୍ମାରାଜେ ଚତୁର୍ଭୁଜେ ।

ବାବଲଶର ଧରିଣ ଶେଷଦେବ ସ୍ଵାମୀ

ପାଚେରୀ ଉପରେ ଯାଇ ବସିଲେ ବିକ୍ରମି ।

ଜଗତୀ ଉତ୍ତର ବାହି ଉପରେ ନୃସିଂହ

ଦୈତ୍ୟ ସ୍ତିରୀସୈନ୍ୟ ଦେଖି ହସନ୍ତି ଶ୍ରୀଅଙ୍ଗ ।

ଦେଖିଲେ ଆନନ୍ଦ ବନଯାକ ଘରମୟେ

ଦିଶନ୍ତି ସ୍ତିରୀ କିନ୍ନରୀଗଣଙ୍କର ପ୍ରାୟେ ।

ତ୍ରିମୁଣ୍ଡାର ପୁତ୍ରଙ୍କୁ ଯେ ଡାକି ଚକ୍ରପାଣି

ବୋଇଲେ ବାପଙ୍କୁ ସଙ୍ଗ କଲ କିରେ ଆଣି ।

ତୁମ୍ଭ ବଂଶକୁ ଥିଲେ ସେ ବୃଦ୍ଧକାଳ ହୋଇ

ମରିବ ପୁତ୍ରଙ୍କ ସଙ୍ଗେ ଅରକ୍ଷିତ ହୋଇ ।

ତୁମ୍ଭର ରାଜ୍ୟକୁ ଆମ୍ଭେ ଯୁଝି ଯେବେ ଯାନ୍ତୁ

ବଇର ଭାବ ଧରନ୍ତୁ ହୃଦେ ତେବେ କିନ୍ତୁ ।

ମରୁଅଛ ବଡ଼ପଣେ ହୃଦେ ହିଂସା ବହି

ମାତାକୁ ନ ପୋଷି ମାଉସୀକୁ ପୋଷ ଯାଇ ।

ପିତାଙ୍କ ନ ନମି ମଉସାର ପାଦେ ନମ

ପତ୍ନୀକୁ ତେଜ୍ୟା କରିଣ ବେଶ୍ୟାତୁଲେ ରମ ।

ଦଇବ ତୁମ୍ଭଙ୍କୁ ବିନା କାର୍ଯ୍ୟେ କଲା ବାଇ

ମରୁଅଛ ବ୍ୟର୍ଥେ ତୁମ୍ଭେ ପରଗୋତ୍ରେ ରହି ।

ପଣ୍ଡିତେ ଲକ୍ଷ୍ୟ କରନ୍ତି ଶାସ୍ତ୍ର ଯାହା ଆଣି

ସପ୍ତପୁରୁଷେ ଯାର ନ ଥାନ୍ତି ବିଦ୍ୟା ଶୁଣି ।

ତାର ପୁତ୍ର ନାତି ଯେବେ ପଢ଼ନ୍ତିଟି ବେଦ

ବସନ୍ତି ସେ ବାଦକରି ବହି ଅହଂବାଦ ।

କନ୍ଦଳ ଲଗାଇ ପୁଣି ମୁହେଁ ହୁଏ ଟାଣି

ପ୍ରସ୍ତାବ ସଦୃଶେ ସେ ନ ପଢ଼େ ଶ୍ଲୋକ ଆଣି ।

ସପ୍ତ ପୁରୁଷେ ଯାର ନ ଥାଇ ଘରେ ଦ୍ରବ୍ୟ

ତାହାର ପୁତ୍ର ଧନାଢ଼୍ୟ ଜାଣ ଯେବେ ହେବ ।

ସେମାନେ ପାଞ୍ଚେ ସଂସାରେ ଆମ୍ଭେ କେଡ଼େ ଲୋକ

ଆମ୍ଭର ପ୍ରାୟ ଧନୀ କେ ନାହିଁଣ ପୃଥ୍ଵୀଯାକ ।

ସପ୍ତ ପୁରୁଷେ ଯାର ନ ଥାଇ କ୍ଷତ୍ରି ପଣ

ତାହାର ପୁତ୍ରଟି ଯେବେ ଧରେ ଧନୁ ତୂଣ ।

ସେ ବୋଲଇ ଆମ୍ଭଠାରୁ ନାହିଁ ଆନ କ୍ଷତ୍ରୀ

ମୁକାରପଣ ବହିଣ ବସେ ଲାଖ ସତ୍ରି ।

ସମର ଭୂମିକୁ ଆଗ ବଳେ ଯାଏ ଥାଇଁ

ବଳିଷ୍ଠ କ୍ଷତ୍ରୀ ନଜର ପୁଣି ନ ଆଣଇ ।

ସପ୍ତପୁରୁଷେ ଯାର ନ ଥାଏ ସାଧୁ ବୁଦ୍ଧି

ତାହାରି ପୁତ୍ରଟି ଯେବେ ପାରେ ଜ୍ଞାନ ସାଧି ।

ସେ ବୋଲଇ ମୋର ଠାରୁ ନାହିଁ ଆଉ ଜ୍ଞାନୀ

ଏ ସଂସାରେ ଶ୍ରୀବିଷ୍ଣୁଙ୍କୁ ପାରେ ମୁହିଁ ଚିହ୍ନି ।

ସପ୍ତପୁରୁଷ ଯାର ନ ଥାଏ ଅଶ୍ଵ ଚଢ଼ି

ତାହାର ପୁତ୍ରଟି ଯେବେ ବାନ୍ଧେ ରାଜଶାଢ଼ୀ ।

ସେ ବୋଲେ ମୋହର ଅଟେ ଏହି ପୃଥ୍ଵୀଯାକ

କୁଳୀନ ଜନମାନଙ୍କୁ ମଣେ କରି ଲୋକ ।

ସପ୍ତପୁରୁଷେ ଯେହୁ ନ ଦେଇଥାଏ ଦାନ

ତାହାର ପୁତ୍ରଟି ଯେବେ କରେ ଦାନ ପୁଣ୍ୟ ।

ସେ ବୋଲଇ ମୋଠାରୁ କେ ନାହିଁ ଦୟାବନ୍ତ

କୁବୁଦ୍ଧି ଲୋକ ପାଞ୍ଚନ୍ତି ଜାଣ ଏହି ମତ ।

ତୁମ୍ଭରି କ୍ଷତ୍ରିୟପଣ ପୂର୍ବୁ କେବେ ନାହିଁ

ଗର୍ବରେ ସିନା ଆସିଛ ଯୁଦ୍ଧେ ତୁମ୍ଭେ ଧାଇଁ ।

ପରପାଇଁ ମରୁଅଛ ବ୍ୟର୍ଥେ ତୁମ୍ଭେ ଆସି

ଏ ରୂପେ କହିଲେ ଝିଙ୍ଗିସିଣ ବ୍ରହ୍ମରାଶି ।

ଶୁଣିଣ ସେ ବେନି ଦୈତ୍ୟ ଉଠି କୋପାନଳେ

ବୋଇଲେ ପ୍ରତେ ନ ଯିବେ ବିପ୍ର କେତେ ବେଳେ ।

ଯେବଣ ମୁର ଅସୁର ତିନିପୁର ରାଜା

ଆମ୍ଭଙ୍କୁ ନିମନ୍ତ୍ରି ସେହି କରେ ପାଦପୂଜା ।

ସଂସାର ଯାକର ଭୋଗ ଭୁଞ୍ଜୁ ଆମ୍ଭେ ଜାଣ

ଆମ୍ଭଙ୍କୁ ନ ମାନିଅଛି କେ ପୃଥ୍ଵୀରେ ପୁଣ ।

ଏ ରୂପେ ବୋଲି ଧଇଲେ ଦୁହେଁ ଧନୁ କରେ

ବିନ୍ଧିଲେ ଷାଠିଏ ଲକ୍ଷ ଶର କୋପଭରେ ।

ଆସନ୍ତେ ପ୍ରଳୟବାତ ପ୍ରାୟ ଶର ମାଡ଼ି

ଦେଖିଣ ନୃସିଂହ ପ୍ରଭୁ ଦେଲେ ଚକ୍ରଆଡ଼ି ।

ବାଜିଣ ନାରାଚମାନେ ଦେଲେ ପଛଘୁଞ୍ଚି

ଦୈତ୍ୟଙ୍କୁ ଦେହେ ରହିଲେ ଲମ୍ବ ହୋଇଯାଚି ।

ହୃଦରେ ଲାଗନ୍ତେ ଦୁହେଁ ହେଲେ ଅନ୍ତରାଳ

ଗୃହ ପୋଡ଼ିଲେ ଯେରୂପେ ପ୍ରାଣୀ ଅସମ୍ଭାଳ ।

ଦୈତ୍ୟଙ୍କର ମନ ଜାଣି ହସି ନାରାୟଣ

ବୋଇଲେ ଆଦ୍ୟ ଆଣ୍ଟ କି କଲେ ଏବେ ଶୁଣ ।

ଆପଣା ବଡପଣ ଯେ ପ୍ରାଣୀ ଜାଣ କହେ

ଅଳ୍ପକେ ସେ ଲୋକମାନେ ନିଶ୍ଚେ ଯାନ୍ତି କ୍ଷୟେ।

ଶୁଣି କଣ୍ଠ ବିକଣ୍ଠ ଦେଲେ ଦେହ ପୋଛି

ଧାଇଁଲେ ଦୋମୁନା ଶର ବାରଲକ୍ଷ ବାଛି ।

ଗୁଣରେ ବସାଇ ପୁଣି ମନ୍ତ୍ରୀ ଦେଲେ ଛାଡ଼ି

ବୋଇଲେ ନୃସିଂହ ଦେହେ ବସଯାଇ ମାଡ଼ି ।

ଏ ରୂପେ କହି ଛାଡ଼ନ୍ତି ଶର ପରିତାପେ

ଆସନ୍ତି ସେ ଶରମାନ କ୍ଷେପି ଅନର୍ଯ୍ୟାପେ ।

ଧଇଲେ ତା ଦେଖି ହରି ଶାରଙ୍ଗ ଯେ ଧନୁ

ପେଶିଲେ ତିଆରି ବହୁ ଶର ଶତମନୁ ।

ବୋଇଲେ ଦୈତ୍ୟଙ୍କର ଶର ପକା ବେଗେ କାଟି ଶୁଣିଣ ଧାଇଁଲେ ବେଗେ ଶୂନ୍ୟେ ଶରଗୋଟି ।

ଦୈତ୍ୟଙ୍କ ଶର ତତ୍କାଳେ ଦେଲେ ସବୁଛେଦି

ଭାଜିଣ ପଡ଼ିଲେ ଛତ୍ରପ୍ରାୟ ପୃଥ୍ଵୀ ଭେଦି ।

ଦେଖିଲେ ବିନ୍ଧିଲେ ବେନି ଦୈତ୍ୟ ପୁଣି ଶର

ତୀକ୍ଷ୍ଣ ନାରାଚେ ଛେଦିଲେ ତାହା ଚକ୍ରଧର ।

ଶେଷଦେବଙ୍କର ତୁଲେ ଯୁଝଇ ତ୍ରିମୁଣ୍ଡା

ବାମକରେ ଗଦାବର ଦକ୍ଷକରେ ଖଣ୍ଡା ।

ଧରିଣ ବାବଲଶର ଶେଷଦେବ ଉଠି

ବୁଲାଇ ସେ ଚକ୍ରପ୍ରାୟ ଶୂନ୍ୟେ ଟେକି ମୁଷ୍ଟି ।

ପିଟନ୍ତେ ସେ ଗଦାନେଇ ବାଜି ହେଲା ଗୁଣ୍ଡ

ତା ଦେଖିଣ ଚମତ୍କାର ହେଲା ଦୈତ୍ୟଷଣ୍ଢ ।

ମନରେ ପାଞ୍ଚଇ ପୁତ୍ରେ କହିଲେ ଯା ସତ୍ୟ

ଜନ୍ମିଲେ ବ୍ରାହ୍ମଣ ଘରେ ବିଷ୍ଣୁ ଆସି ମର୍ତ୍ତ ।

ପ୍ରତ୍ୟକ୍ଷେ ବୈକୁଣ୍ଠର ଏ ଅଟେ ଜଗନ୍ନାଥ

ନୋହିଲେ ସହନ୍ତା ମୋର ଗଦା କାର ମାଥ ।

ଏବେ ପାଞ୍ଚଦିନ ହେଲା ଲାଗିଲାଣି ରଣ

କମ୍ପଇ ପୃଥ୍ଵୀ ପେଶନ୍ତେ ଯାଆ ଏକବାଣ ।

ଅଧୈର୍ଯ୍ୟ ହୋଇ ପେଶିବା ଏବେ ବାଣ କାଣ୍ଡ

ବିଷ୍ଣୁହାତେ ମଲେ ହେବ ପବତ୍ର ଏ ପିଣ୍ଡ ।

ଜିଣିଲେ ରହିବ ଆମ୍ଭ କୀର୍ତ୍ତି ଚାରିଯୁଗେ

ମୁର ଶତ୍ରୁ ମଲେ ଜାଣିବେକ ତିନିସ୍ଵର୍ଗେ ।

ତଥାପି କ୍ଷତ୍ରି ହୋଇକି ଯିବା ଆମ୍ଭେ ଘୁଞ୍ଚି

ଆମ୍ଭଙ୍କୁ ଅଯୋଗ୍ୟ କରି ଲେଖିବେ ଶ୍ରୀବତ୍ସି ।

ଏଥକୁ ଯେ ସିଦ୍ଧି ପାଞ୍ଚି କରିବାକ ଯୁଦ୍ଧ

ଯୁବତୀଗଣ କରିବେ ମୋର ଏକା ସାଧ୍ୟ ।

ଏତେ ବୋଲି ସ୍ତିରୀଙ୍କି ତ୍ରିମୁଣ୍ଡା ଦେଲା ଆଜ୍ଞା

ବୋଇଲେ ବିପ୍ରଙ୍କୁ ଆଲୋ ଦେଖାଅ ପ୍ରତିଜ୍ଞା

ଦେଖିଲାକ୍ଷଣି ହୁଅନ୍ତି ସର୍ବେ କାମେ ବସ

ତେମନ୍ତ କରିଣ ତୁମ୍ଭେ ଲଗାଅ ମୁହାଁସ ।

ଏ ରୂପେ ତ୍ରିମୁଣ୍ଡାସୁର କହନ୍ତେ ସ୍ତିରୀଙ୍କୁ

ସେ କଥା ଜାଣି କହିଲେ ପ୍ରଭୁ ଗରୁଡ଼କୁ ।

ବୋଇଲେ ଲାଗିଲା ଏବେ ତୋତେ ସ୍ତିରୀଯୁଦ୍ଧ

ତୋହ ବ୍ୟତୀତ ଆନରେ ନୁହନ୍ତି ସେ ସାଧ୍ୟ ।

ପୂର୍ବେ ତ କହିଥାଇଁ ସେ କଥା ଅଛୁ ଜାଣି

ବଧ କର ହେ ସ୍ତିରୀଙ୍କି କାମଶର ଟାଣି ।

ଶୁଣି ଉଠିଲା ଖଗେଶ୍ଵର ମନେ ହସି

ବିଷ୍ଣୁ ବୋଲେ ବିଶ୍ଵରୂପ ଧରିଲା ପ୍ରକାଶି ।

ଅଶୀପଦ୍ମ ଯାଏ ସେହୁ ହୋଇଲା ଗରୁଡ଼

ସମସ୍ତ ଗରୁଡ଼ ଯାକ ଦିଶେ ଯୋଗାରୁଢ଼ ।

ବିଷ୍ଣୁର ଅଠର ଚିହ୍ନ ପକ୍ଷୀ ଦେହଯାକେ

ଶୁଣନ୍ତି ନାରଦ ବ୍ରହ୍ମା କହନ୍ତି ଯେ ମୁଖେ ।

ଶଙ୍ଖ ଚକ୍ର ଗଦା ପଦ୍ମ କୋଦଣ୍ଡ କଳଶ

ଶାରଙ୍ଗ ଧ୍ଵଜ ବଜ୍ର ଯେ ଖଡ଼ଗ ପ୍ରକାଶ ।

ସ୍ଵସ୍ତିକ ଗୋଷ୍ଣଦ କମ୍ଭୁ ଅଙ୍କୁଶ ଲଙ୍ଗଳ

ବେଣୁ ପାଶ ଚିହ୍ନ ଫୁଟି ଦିଶଇ ମଷଳ ।

ଏ ଆଦି ଯେତେକ ଅଷ୍ଟାଦଶ ଚିହ୍ନ କହି

ଗରୁଡ଼ ଦେହେ ପ୍ରକାଶି ସବୁ ବିରାଜଇ ।

ଶ୍ରୀନୃସିଂହ ରୂପ ବର୍ଣ୍ଣ ଗରୁଡ଼ର ଦେହେ

ପୃଥ୍ଵୀଯାକ ପୂରି ଦିଶେ ପ୍ରକାଶି ତା କାୟେ ।

ରୂପ ତାର ଶୁକ୍ଲବର୍ଣ୍ଣ ସ୍ଵର୍ଣ୍ଣଜ୍ୟୋତି ଥଣ୍ଟ

ହାଟକ ପ୍ରାୟ ଚରଣ ଚଞ୍ଚୁ ଆଉ କଣ୍ଠ ।

ଅନେକ ରୂପରୁ ସେହୁ ପକ୍ଷୀନାମ ହେଲା

ବୈନତେୟ ନାମ ବହି ବନିତା ନାଶିଲା ।

କେବଳ ଅଟେ ଗରୁଡ଼ ଯୋଗାରୁଢ଼ ବୁଦ୍ଧି

ତେଣୁ ସେ ଗରୁଡ଼ ନାମ ଯତିରେ ପ୍ରସିଦ୍ଧି ।

ସର୍ବ ଯତିଙ୍କ ଉପରେ ଅଟେ ଯତି ଶ୍ରେଷ୍ଠ

ବିନ୍ଦୁକୁ ସଂହରି ଠେକି ରଖିଲା ତ୍ରିକୁଟ ।

ତିନି ତିହୁଡ଼ି ତ୍ରିଣଟ ତ୍ରିମୁନା ସ୍ଥାନରେ

ବିନ୍ଦୁ ରଖି ଅଶୀପଦ୍ମ ହେଲା ତା ଶରୀରେ ।

ନାରଦ ତାହା ଶୁଣିଣ ଆଚମ୍ବିତ ହେଲେ

ଏବେ ଗରୁଡ଼ ଜନ୍ମିଣ କି ନାମ ବହିଲେ ।

ଅଶୀପଦ୍ମ ବୋଲିଣ ଯେ କହିଲେ ତିର୍ଯ୍ୟଙ୍କୁ

କେବଣ ନାମ ବହି ସେ ଗଲେଟି ଯୁଦ୍ଧକୁ ।

ଶୁଣି ମନେ ମନେ ହସି ଚତୁର ଆନନ

ବୋଇଲେ ଥୋକେ ହେ ଶୁଣ ଗରୁଡ଼ର ନାମ ।

ସୋଂହସ ଗରୁଡ଼ ପରହଂସ ଯେ ଗରୁଡ଼

ଯୋଗାନ୍ତ ଗରୁଡ଼ ପୁଣି ସକାର ଗରୁଡ଼ ।

ହକାର ଗରୁଡ଼ ଆଉ ନିର୍ଗୁଣ ଗରୁଡ଼

ସର୍ବତ୍ର ଗରୁଡ଼ ତତ୍ତ୍ଵତାରଣ ଗରୁଡ଼ ।

କହ କହ ଗରୁଡ଼ କୁହୁ କୁହୁ ଗରୁଡ଼

କହ କହ ଗରୁଡ଼ ମହାଘୋର ଗରୁଡ଼ ।

ଅଘୋରାୟ ଗରୁଡ଼ ମହେନ୍ଦ୍ରାୟ ଗରୁଡ଼

ଉପେନ୍ଦ୍ରାୟ ଗରୁଡ଼ ଯୋଗାନ୍ଦ୍ରାୟ ଗରୁଡ଼ ।

ତ୍ରିପୁଣାୟ ଗରୁଡ଼ ମହାଭକ୍ତ ଗରୁଡ଼

ତ୍ରିବିକ୍ରମ ଗରୁଡ଼ ଶ୍ରୀବୈଷ୍ଣବ ଗରୁଡ଼ ।

ବିଷ୍ଣୁ ସର ଗରୁଡ଼ ବିଷ୍ଣୁ ଭଜ ଗରୁଡ଼

ନିରଞ୍ଜନ ଗରୁଡ଼ ଯେ ବିରାଳ ଗରୁଡ଼ ।

ବିକଟାଳ ଗରୁଡ଼ ହେ ବିଦାରଣ ଗରୁଡ଼

ସୁଷେଣ ଗରୁଡ଼ ମହାଭୀଷଣ ଗରୁଡ଼ ।

ଅଘୋଟ ଗରୁଡ଼ ପୁଣି ସୁଘୋଟ ଗରୁଡ଼

ମହାଉଦଣ୍ଡ ଗରୁଡ଼ କୋଦଣ୍ଡ ଗରୁଡ଼ ।

ଦୁର୍ଦ୍ଦଣ୍ଡ ଗରୁଡ଼ ମହାପ୍ରଚଣ୍ଡ ଗରୁଡ଼

ମହାପାତାଳ ଗରୁଡ଼ ଆସ୍ତିକ ଗରୁଡ଼ ।

ପଦ୍ମନାଭ ଗରୁଡ଼ ଯେ ଧରାଧର ଗରୁଡ଼

ମାର ମାର ଗରୁଡ଼ ଯେ ହୁଙ୍କାର ଗରୁଡ଼ ।

ଫଫୁକାର ଗରୁଡ଼ ସିଂହନାଦ ଗରୁଡ଼

ମେଘନାଦ ଗରୁଡ଼ ଯେ ଝଂଝଂ ଗରୁଡ଼ ।

ଝୁମୁଝୁମୁ ଗରୁଡ଼ ଟିହି ଟିହି ଗରୁଡ଼

ଟୁହୁ ଟୁହୁ ଗରୁଡ଼ ପରିମେଷ ଗରୁଡ଼ ।

ଏଥୁଅନ୍ତେ ପୁଣ ସେ ମୋହିନୀ କନ୍ୟାମନେ

ନୃସିଂହ ସୈନ୍ୟଙ୍କୁ ବେଢ଼ିଗଲେ ରଣସ୍ଥାନେ ।

ତହୁଁ ଗରୁଡ଼ ଗଣଙ୍କୁ ବେଢ଼ିଲେକ ଆସି

ମୋହନ ମୁଖ ଦେଖାଇ କାମେ ଅଭିଳାଷୀ ।

କାହାର ବଦନ ଦରପଣ କାନ୍ତି ପ୍ରାୟେ

ମୋହନ ମୁଖ ଦେଖାଇ କାମେ ଅଭିଳାଷୀ ।

କାହାର ବଦନ ଦରପଣ କାନ୍ତି ପ୍ରାୟେ

କାହାର ବସନ ଦିଶେ ଚନ୍ଦ୍ରମା ପରାୟେ ।

କାହାର ବଚନ ଶୁଭେ ନିନ୍ଦି ପିକରାବ

କାହାର ବାକ୍ୟ ଅମୃତପ୍ରାୟ ମଧୁଭାବ ।

ସେହି ତାଳ କଂସାଳ ଜଞ୍ଜାଳ ବୀଣୀ ବାଣୀ

ଦିଶନ୍ତି ମେନକା ରମ୍ଭାପ୍ରାୟ ସର୍ବେ ପୁଣି ।

ଚାଲନ୍ତି କେ ଆକ୍ଷିଲତା ମାରି ହୋଇ ଗେଲ

ଗରୁଡ଼ ଯତିଙ୍କ ଦିଶନ୍ତି ସେ ମୃତ୍ୟୁଶଲ ।

କେହି ବକ୍ରଭାବେ ଚାହିଁ ନାଚେ ଘୁମୁ ଘୁମୁ

ଗରୁଡ଼ ଦେଖିଣ ତାହା କମ୍ପଇଁ ପ୍ରଥମୁଁ ।

ଏ ରୂପେ ଅସୁରୀମାନେ ଲଗାନ୍ତେ ମୋହନ

ସେ ଛବିକି ଗରୁଡ଼ ତ ନପୁଂସକ ମନ ।

ଲଗାଇ ପରମହଂସ ଚିତ୍ତ ଖଗପତି

ଅଶୀପଦ୍ମ ଗରୁଡ଼ ଯେ ହୋଇ ଏକମୂର୍ତ୍ତି ।

ଧାତୁକୁ ଲିଙ୍ଗଚକ୍ରରୁ ଜ୍ଞାନମାର୍ଗେ ଟେକି

ନାଭି ଚକ୍ରରେ ଯେ ଭରି ହୃଦଚକ୍ରେ ରଖି ।

କଣ୍ଠଚକ୍ରେ ପୂରାଇ ଲଲାଟଚକ୍ରେ ନେଲା

ବିନ୍ଦୁଘରେ ରଖି ତହୁଁ ଗଣ୍ଠି ପୋଡ଼ି ଦେଲା ।

ତିନି ଦିହୁଡ଼ି ତ୍ରିକୂଟ ତ୍ରିମୁନା ସନ୍ଧିରେ

ଧାତୁ ରଖିଲା ପୂରାଇ ସେହୁ ଫରୁଆରେ ।

ଲିଙ୍ଗଚକ୍ର ପ୍ରଭା କଲା ହସ୍ତୀ ଥୋର ପ୍ରାୟେ

କାହାକୁ ନୁହଇ ଦୃଶ୍ୟ ପ୍ରକାଶିଛି କାୟେ ।

ନ ଜାଣିଲା ପ୍ରାୟେ ଅଛନ୍ତି ତ ତନୁଧରି

ପକ୍ଷୀକେ ଯୁବତୀ ଜଣେ ରହିଲେ ଆବୋରି ।

ମନେ ପାଞ୍ଚେ ଗରୁଡ଼ ଏ ଥିଲେ ଅନ୍ୟ ଜାତି

ବୃଦ୍ଧି ଅନୁକ୍ରମେ ପୁଣି ହୋଇଲେ ବିଜାତି ।

ବ୍ୟାସଋଷି ଶାପ ଯାହା ଦେଲେ କୋପାନଳେ

ସେ ଦୋଷ ଏବେ ଖଣ୍ଡିଲେ ଆସି ଏତେ କାଳେ।

ଏ ରୂପେ ମନରେ ପାଞ୍ଚି ସେ ଗରୁଡ଼ ଗଣ

ଅସୁରୀଙ୍କ ମନ ଘେନି ପୁଚ୍ଛନ୍ତି ବହନ ।

ବୋଲନ୍ତି ଶୁଣ ତ୍ରିମୁଣ୍ଡାସୁର ପରିଚାରି

ଆମ୍ଭଙ୍କୁ ପାଞ୍ଚିଲ ଯେବେ ସ୍ଵାମୀ ପ୍ରାୟ କରି ।

ଜଣକୁ ଜଣେ ଧରି ଯେ ଏକାନ୍ତ ହୋଇବ

ବନକନ୍ଦରେ ପଶିଣ ନିଶ୍ଚିନ୍ତେ ରହିବ ।

ଶୁଣିବ ଅସୁରୀମାନେ କଲେ ମନେ ହାସ

ବୋଇଲେ ଅଛି ଆନନ୍ଦବନେ ଆମ୍ଭ ବାସ ।

ତମ୍ବୁ ଟାଣି ରହିଅଛୁ ଆମ୍ଭେ ଘର କରି

ସେ ଗୃହପରି ସ୍ଥାନ ନ ମିଳେ ତିନିପୁରି ।

ସ୍ତିରୀଙ୍କର କଥା ଶୁଣି ଗରୁଡ଼ ଯେ ହସି

ବୋଇଲେ ଆମ୍ଭେ ଅଟୁ ଯେ ଜାତି ବ୍ରହ୍ମଅଂଶୀ ।

ଜନ୍ମରୁ ଆଜଯାଏ ନ ଜାଣୁ କଦାଚିତେ

କି ରୂପେ ରତି ବିଦ୍ୟା ସେ ଅଟଇ ଜଗତେ ।

ଅସୁରୀ ବୋଇଲେ ତୁମ୍ଭେ କିଛି ନ ଜାଣିଲେ

ଆମ୍ଭେ ସବୁ ଜାଣୁ ଶିଖିଯିବ କହି ଦେଲେ ।

ଅଙ୍ଗୁଳି ଦେଖାଇଲେ ଯେ ପାରେ ସବୁ କଳି

ଏମନ୍ତ ପୁରୁଷ ଜାଣ ସଂସାରେ ନ ମିଳି ।

ଶୁଣି ପକ୍ଷୀଗଣ ପୁଣି ପୁଚ୍ଛିଲେକ ହସି

ବୋଇଲେ ଆନନ୍ଦବନେ କିମ୍ପା ଅଛ ଆସି ।

ନୃସିଂହ ତୋଟାରେ କିମ୍ପା ଅଛ ବସା ପାଡ଼ି

ପ୍ରଭୁଙ୍କୁ କେତେ କର ଯେ ଦେଲେଣି କଉଡ଼ି ।

ଅସୁରୀ ବୋଇଲେ ତୁମ୍ଭେ ହେଲ ଯେବେ ବର

କାହାକୁ କାହିଁକି ଆଉ ଦେବୁ ଆମ୍ଭେ କର ।

ପଡ଼ନ୍ତେ କରର କଥା ପଛେ ବୁଝି ସିନା

ତୁମ୍ଭର ଆମ୍ଭର ଆଗ ପ୍ରୀତି ଲାଗୁ କିନା ।

ଏ ରୂପେ ବୋଲି ନାରୀଏ ଗରୁଡ଼କୁ ଧରି

ଆନନ୍ଦବନେ ପଶିଲେ ଯାଇଣ ଅସୁରୀ ।

କୁହାଟ କୁରୁଳି କରି ହୁଳହୁଳି ଦେଲେ

ଆକ୍ଷିଲତା ମାନ ମାରି ବଳେ କୋଳକଲେ ।

ସେ କଥାମାନ ଦେଖିଣ ଗରୁଡ଼ ଫେରନ୍ତେ

ଗର୍ବେ ଉନମତ୍ତା ନାରୀ ଧରି କୋଳାଗ୍ରତେ ।

କେବଣ ସ୍ତିରୀ ବୋଲଇ ବସିବା ଯେ ମାଡ଼ି

ଚଢ଼ି ବୁକୁ ଉପରେ ଗୋ ଦେବା ମୁଣ୍ଡମୋଡ଼ି ।

କେ ବୋଲେ ଆଦ୍ୟୁ ମୁରତି ରଙ୍ଗ ଆଗ କର

ନିର୍ବଳ ହେଲେ ଯେ ମାଡ଼ି ବସିବା ତତ୍ପର ।

କେ ବୋଲେ ଯାନୁ ସନ୍ଧିରେ ଧରିଦେବାଯାକି

ତଳକୁ ଯେ ଲେଉଟାଇ ଚିପିବା ତଣ୍ଟିକି ।

କେ ବୋଲଇ ଆଗ ଆସ ମୋହିତ କରିବା

ତା ଉପରେ ମାଡ଼ି ବସି ଶୋଣିତ ପିଇବା ।

କେ ବୋଲଇ ଚାଲ ସର୍ବେ ହେବା ବିବସନ

ମୋହିତ ହୁଅନ୍ତୁ ଦେଖି ଆମ୍ଭ ଜାନୁ ସ୍ତନ ।

ଏ ରୂପେ ବିଚାରି ମନେ କରୁ ରାକ୍ଷାସୁଣୀ

ତାହାଙ୍କର ଛବି ଦେଖି ଗରୁଡ଼ ତା ଜାଣି ।

ନୃସିଂହଙ୍କର ଆଜ୍ଞାବଳୁ ସେ ଗରୁଡ଼ ଯତି

ହସ୍ତୀଥୋର ପ୍ରାୟ ପରକାଶ ଲିଙ୍ଗମୂର୍ତ୍ତି ।

ପ୍ରଥମେ ଲଗାଇ ପ୍ରେମ ଭାବ କରୁ କରୁ

ବେଳକୁ ବେଳ ଯେ କ୍ରୀଡ଼ା ବଳିଲା ପ୍ରେମରୁ ।

ହସ୍ତରେ କୁଟଣୀ ଧରି ଧାନ୍ୟ ଯେହ୍ନେ କୁଟି

ସେ ରୂପେ ତାହାଙ୍କୁ ମାଡ଼ି ବସି ଗରୁଡ଼ଟି ।

ଜ୍ଞାନ ଫରୁଆରେ ନେଇ ଧାତୁକୁ ଯେ ରଖି

କଠିନ କରିଣ ଯୋଗ ଧାରଣକୁ ଟେକି ।

ଯେସନେ ସର୍ପ ବିବର ମଧ୍ୟେ ପଶେ ଗଳି

ସେହିରୂପେ ଗରୁଡ଼ ଯେ କରେ ରସକେଳି ।

ପବନ ସୂତ୍ରରେ ଧରି ଲିଙ୍ଗଚକ୍ର ସ୍ଥାନ

ନ ଢାଳନ୍ତି ବୀର୍ଯ୍ୟକୁ ସେ କରନ୍ତି ରମଣ ।

ପରସ୍ତିରୀକୁ କରିବ ଯେବେ ଜାଣ ରତି

ବୀର୍ଯ୍ୟ ନ ଝାଳିବା ଲୋକ ଅଟେ ମହାଯତି ।

ଏଣୁ ନ ଗରୁଡ଼ ମହାଯତିରେ ଯେ ଲେଖା

ଏଡ଼େକ ବ୍ରାହ୍ମଣ୍ୟ ନାହିଁ ବ୍ରହ୍ମାଣ୍ଡରେ ଦେଖା ।

ଏ ରୂପେ ପକ୍ଷୀ ଶୃଙ୍ଗାର ରସ କରୁ କରୁ

ଶୃଙ୍ଗାର ନୁହଇ ସେହୁ ଅଟେ ମହାମାରୁ ।

ଚୁମ୍ବନ ଦେଲା ପରାୟ ଚଞ୍ଚୁଦ୍ୟନ୍ତେ ମାଡ଼ି

ସେ ଥଣ୍ଟ ବାଜି ଛାଡ଼ନ୍ତି ସ୍ତିରୀ ଘୋର ରଡ଼ି ।

ଏ ରୂପେ ସେ ପକ୍ଷୀରାଜ କରନ୍ତେ ରମଣ

ତାଙ୍କ ଭଗଦ୍ଵାର ଜଳି ଉଠିଲା ତକ୍ଷଣ ।

ମଲୁଁ ମଲୁଁ ବୋଲି ଛାଡୁଛନ୍ତି ଘୋର ରଡ଼ି

ଗରୁଡ଼ ବୋଲେ ମରୁଛ କିମ୍ପା ଡକାପାଡ଼ି ।

ଆମ୍ଭେ ତ ଅପ୍ରୀତି ତୁମ୍ଭ ତୁଲେ ହୋଇ ନାହୁଁ

ଏଡ଼େ ରହସ୍ୟରେ କାନ୍ଦୁଅଛ କିମ୍ପା ଆଉ ।

ତଥାପି ତୁମ୍ଭ ଗର୍ଭରେ ବୀର୍ଯ୍ୟ ପଡ଼ି ନାହିଁ

ବୀର୍ଯ୍ୟ ଛାଡ଼ିବା ଲୋକଙ୍କୁ ଥାନ୍ତା ସିନା କହି ।

ଆମ୍ଭର ନ ଥିଲା ମନ ତିଳେ ତୁମ୍ଭ ତହିଁ

ତୁମ୍ଭେ ସିନା ସାହସେ ଯେ ଆସିଥିଲ ଧାଇଁ ।

ନିସତ ହେଲାଣି ଏବେ ଡାକିଲ କାହିଁକି

କୁହାଟି ପାଡ଼ିଲେ ତୁମ୍ଭେ ଆଉ ରହିବ କି ।

ଏ ରୂପେ ବୋଲି ପକ୍ଷୀଏ କରନ୍ତି ଯେ କଳି

ପ୍ରାଣ ଛାଡ଼ି ଅସୁରୀଏ ପଡ଼ିଲେକ ଟଳି ।

ଉତ୍ପତ୍ତି ଦୁଆର ଫାଟୁ ପଡ଼ିଲେ ସକଳେ

ନାରଦ ଶୁଣନ୍ତି ଧାତା କହନ୍ତି ସମୂଳେ ।

ଗଲେ ସେହି ମୁକ୍ତ ହୋଇ ଋଷିଶାପୁଁ ତରି

ତେଜିଣ ଅସୁରୀ ଅଙ୍ଗ ହେଲେ ଅପସରୀ ।

ବ୍ୟାସଙ୍କ ଶାପୁଁ ସେ ତରି ଗଲେ ମୋକ୍ଷ ହୋଇ

ରହିଲେକ ଦେବକୁଳ ସ୍ଵର୍ଗପୁରେ ଯାଇ ।

ଦେହ ଛାଡ଼ିଣ ଚଳନ୍ତେ ମଞ୍ଚରୁ ସ୍ଵର୍ଗକୁ

ଗରୁଡ଼ ଗଣେ ଯେ ଫିଙ୍ଗି ଦେଲେ ସମୁଦ୍ରକୁ ।

ସଂହାରି ଗରୁଡ଼ ରୂପ ନିଜରୂପ ହେଲେ

ଗଙ୍ଗାସ୍ନାନ କରି ଶ୍ରୀନୃସିଂହ ପାଶେ ଗଲେ ।

ବୋଇଲେ ଭୋ ସ୍ଵାମୀ ମଲେ ସେ ଅସୁରୀଯାକ

ଶୁଣିଣ ଆନନ୍ଦ ହେଲେ ତହିଁ ଶୁଣ୍ୟଶ୍ଲୋକ ।

ନିଶରେ ହାତ ଦେଇଣ ମୋଡ଼ି ଦେବରାୟେ

ବୋଇଲେ କେଣେ ଯିବେ ସେ ତ୍ରିମୁଣ୍ଡାର ପୋଏ ।

ଏବେ ତ ତୁମ୍ଭେ ଜାଣ ସେ ନିଶ୍ଚେଁ ଯିବେ ମରି

ଯୁବତୀ ଲୋଚାଏ ଧରି ଆସେ ଯୁଦ୍ଧ କରି ।

ଏ ଘେନି ତ ପରମାୟୁ ହେଲା ତାଙ୍କ କ୍ଷୟେ

ଯୁବତୀ ସଙ୍ଗଦୋଷ ଯେ ହେଲେ ଯେଝାଠାଏ ।

କେଡ଼େ ଲୋକ ମାନେ ଯୁବତୀଙ୍କ ସଙ୍ଗଦୋଷୁ

ବେକ ହାଣିଲା ପରାୟ ହ୍ଵନ୍ତି ଧୂଳିପାଂଶୁ ।

ଯୁବତୀଗଣଙ୍କୁ ଘେନି ଯୁଦ୍ଧ କରି ଗଲେ

କେ ଅଛି ଜିଣିବ କହ ସଙ୍କଟ ପଡ଼ିଲେ ।

ଏକଥା ଆମ୍ଭେ ପୁରାଣେ ନାହୁଁ କାହିଁ ଶୁଣି

ସମରେ ପଶୁଛି ସ୍ତିରୀ ଲୁଚାଏ ଯେ ଆଣି ।

କୁମତି ଲୋକକୁ ଏକା ଲାଗଇ ଏ ସୁଖ

ସ୍ତ୍ରୀ ବାଳକ ଧରି ଯୁଦ୍ଧେ ପଶନ୍ତି ଯେ ମୂର୍ଖ ।

ବୁଝିଲେ ବାଳକ ସ୍ତିରୀ ଅଟନ୍ତି ଅଦଣ୍ଡ୍ୟ

ତାହାଙ୍କ କି ବୋଲି ମୂର୍ଖେ ଯୁଦ୍ଧେ କଲେ ରୁଣ୍ଡ ।

ଯୁଦ୍ଧେ ପଶିଲେ ଯେ ଗୋରୁ ବିପ୍ର ହେଲେ ଧରି

ଇତିହାସେ ଏହା କହିଛନ୍ତି ମୁଖଚାରି ।

ଦକ୍ଷ ପ୍ରଜାପତିଙ୍କର ଦେଖ ଏ ପୁତ୍ରଙ୍କୁ

ନାରଦ ସହି ନ ପାରେ ମାରିଛନ୍ତି ତାଙ୍କୁ ।

ଗୃହରେ ରହିବ ସର୍ପ ଯେବେ ବାସକରି

ଗୋତ୍ରହିଁ ହେଲେ ଘଉଡ଼ି ଦେବ ତାଙ୍କୁ ମାରି ।

ଶୁଣିଣ କଣ୍ଠ ବିକଣ୍ଠ ଉଠି ମହାକ୍ରୋଧେ

ସ୍ତିରୀଙ୍କର ମୃତ୍ୟୁ ଦେଖି ଭୟ ପାଇ ହୃଦେ ।

ବୋଲନ୍ତି ବିପ୍ରରେ ତୁମ୍ଭେ ପାଷାଣ ଯେ ଅଟ

ମିଥ୍ୟାମାଳା ଜପି ପ୍ରାଣୀଙ୍କର ତୋଟି କାଟ ।

ଯୁବତୀ ହତ୍ୟା ବୋଲିରେ ନ ମାନିଲ ଟିକେ

ଅଶୀପଦ୍ମ ସ୍ତିରୀଙ୍କୁରେ ମାଇଲ ସମକ୍ଷେ ।

ବୋଇଲେ ନୃସିଂହ ସ୍ଵାମୀ ଶୁଣାଇ ଶୁଣାଇ

ବ୍ରାହ୍ମଣ ନିନ୍ଦା କରିବା ଉଚିତ ନୁହଇ ।

ବ୍ରାହ୍ମଣର ମାଳାଜପ କରିବା ଯେ ଶୁଣ

ଜପନ୍ତି ସବୁରି ହୃଦେ ବସି ନାରାୟଣ ।

ସେ ଜପ ଛିଡ଼େ ଯାର ସେ ଚଳେ ସଂଞ୍ଜବନୀ

ଶମଶାନ ଭୂମିକୁ ଯେ ଯାନ୍ତି ତାକୁ ଘେନି ।

ଅନଳେ ତାହାକୁ ପୋଡ଼ିଦ୍ୟନ୍ତି ଥିବା ଲୋକେ

ଏ ରୂପେ ଜପ ସବୁରି ଅଛି ଦେହ ଯାକେ ।

ସେ ଜପ ଥିବାରୁ ତୁମ୍ଭେ ସୁଖ ଭୁଞ୍ଜୁଥିଲ

କ୍ଷଣକେ ଗଲେ ସେ ଜପ ଛାଡ଼ି ତୁମ୍ଭେ ମଲ ।

ସେହି ଜପଟି ବ୍ରାହ୍ମଣେ ଜପୁଥାନ୍ତି ବସି

ଏକୋଇସ ସସ୍ରଘରେ ଅଛି ପୁଣି ଘୋଷି ।

ବ୍ରାହ୍ମଣ ଗୋସାଇଁମାନେ ଏହି ଜପ ଜପି

ମାଳାକୁ ଭଜନ କରି ଭଜନ୍ତି ଅଦ୍ୟାପି ।

ଏ ଜପଟି ଥିଲା ଯାକେ ଦେହ ଥାଏ ଧରି

ଏହି ଜପ ଛିଡ଼େ ଯାର ସେହି ଯାଏ ମରି ।

ହୃଦେ ଜପୁଥିବାରୁ ରେ ଥିଲ ତୁମ୍ଭେ ବର୍ତ୍ତି

ଜପକୁ ନ ଚିହ୍ନି ନିନ୍ଦି ଯାଅ ଯମ କତି ।

ସ୍ତିରୀହତ୍ୟା ବୋଲି ତୁମ୍ଭେ ନିନ୍ଦା ଯେବେ କଲ

ସ୍ତିରୀ ଲୁଚାଏ କାହିଁକି ତୁମ୍ଭେ ଆଣିଥିଲ ।

ଏ ଘେନି ତୁମ୍ଭଙ୍କୁ ଆଗେ ଲାଗିଲା ସେ ଦୋଷ

ଝାଡ଼ିବା ଲୋକଙ୍କୁ କିରେ ଲାଗେ ସର୍ପବିଷ ।

ସେ ଦୋଷରୁ ମରିଯିବ ତୁମ୍ଭେ ଏବେ ଜାଣ

ଏକ୍ଷଣି ଛାଡ଼ିବ ଆମ୍ଭ ବାଣେ ତୁମ୍ଭ ପ୍ରାଣ ।

ଏଥୁଅନ୍ତେ କଣ୍ଠାସୁର ଉଠେ କୋପ ହୋଇ

ବିକଣ୍ଠକୁ ବୋଇଲାରେ ଉଠ ବେଗେ ଭାଇ ।

ନୃସିଂହର ତୁଲେ ମୋର ଲାଗୁଛି ସମର

ତୁ ଜଗି ଶେଷଦେବଙ୍କୁ ବେଗେ ଯାଇ ମାର ।

ଏ ରୂପେ କହିଣ କଣ୍ଠ ନୃସିଂହ ଉପରେ

ମନ୍ତ୍ରିଣ ପେଶିଲା ଅହିଶର କୋପଭରେ ।

ଚଳିଲେ ସର୍ପେ ଆକାଶ ପଥ ମଧ୍ୟେ ଘୋଟି

ଉଲୁକାପାତ ହୋଇଣ କମ୍ପେ ନବସୃଷ୍ଟି ।

ଫୁକାର ଧ୍ଵନି କରିଣ ଗର୍ଜି ସେ ଧାମନ୍ତେ

ଦେଖିକରି ଗରୁଡ଼କୁ ଭଜିଲେ ସମସ୍ତେ ।

ଭୟେ ପଳାଇଣ ସର୍ବେ ପଶିଲେ ପାତାଳେ

ତାହା ଦେଖି ଶଙ୍କା କଲେ ତ୍ରିମୁଣ୍ଡାର ବାଳେ ।

ବୋଇଲା ମେଣ୍ଟିଲେ କେଡ଼େଶର ମୋର ଦେଖ

ନୁହଇ ସାମାନ୍ୟ ଲୋକ ଏହୁ ପଦ୍ମମୁଖ ।

ଏହି ଶର ପେଶି ମୁହିଁ ସବୁ ଥାଇ ଜିଣି

ତହିଁରୁ ବଞ୍ଚି ରହିଛି କେହ୍ନେ ଚକ୍ରପାଣି ।

ଏ ରୂପେ ବୋଲି ପେଶିଲା ପୁଣି ଲକ୍ଷେ ଶର

ପର୍ବତା ନାରାଚ ବୋଲି ଅଚେ ନାମ ତାର ।

ବୋଇଲାକ ନୃସିଂହର ପକା ସୈନ୍ୟ ମାରି

ଏ ରୂପେ ବୋଲି ସେ ମନ୍ତ୍ର ପଢ଼ିଲା ଦେବାରି ।

ତା ଦେଖିଣ ବଜ୍ରଶର ପେଷୁ ନରସିଂହ

ଖଣ୍ଡ ଖଣ୍ଡ ହୋଇ ଭାଜିଗଲା ଗିରିଶୃଙ୍ଗ ।

କଣ୍ଠାସୁର ଦେଖି ତାହା ଚମକୃତ ହେଲା

ଭାଇକି ତିଆରି ସେହି ନୃସିଂହ କହିଲା ।

କହନ୍ତି ଶେଷଦେବଙ୍କୁ ଚାହିଁ ଭାବଗ୍ରାହୀ

ଆହେ ବାବୁ ସାବଧାନେ ଥିବୁ ଯୁଦ୍ଧ ରହି ।

ଅଟନ୍ତି ଏ ଦୈତ୍ୟକୁଳ ଲୋକେ ଅବିବେକ

ଯୁଝିବା ତାହାଙ୍କ ସଙ୍ଗେ ହୋଇଣ ସତର୍କ ।

ଶୁଣି ସହଦେବ ମନେ ହସି ଧୀରେ ଧୀରେ

ପାଞ୍ଚନ୍ତି କିସ କରିବ ମୋତେ ଦୈତ୍ୟ ଛାରେ ।

ଏକା ନାରାଚକେ ମୁହିଁ ପାରେ ମୁଣ୍ଡ କାଟି

ଏ ରୂପେ ବୋଲି ଧଇଲେ କରେ ଧନୁଗୋଟି ।

ଶେଷଦେବର ପ୍ରତିଜ୍ଞା ଶୁଣି ଚକ୍ରଧର

ବୋଇଲେ ସେ ଗରୁଡ଼କୁ ଶୁଣ ପକ୍ଷୀବର ।

ତ୍ରିମୁଣ୍ଡାର କଥା ମୋତେ ଲାଗିଲାଟି ରଣେ

ସମ୍ଭାଳି ରଖିବୁ ଶେଷଦେବ ସବୁକ୍ଷଣେ ।

ଶୁଣିଣ ସେ ପକ୍ଷୀରାଜ ନମି ପାଦଗତେ

ବୋଇଲା କରନ୍ତି କେଡ଼େ ଦୟା ପ୍ରଭୁ ମୋତେ ।

ଯେଉଁ ଶେଷଦେବ ଓଲଟାଇ ଦେଲେ କର

ରସାତଳେ ଯାଇ ପଡ଼ିଯିବ ଚରାଚର ।

ସେ ପ୍ରଭୁଙ୍କୁ ସାହା ମୁହିଁ ହେବି ପୁଣ ରହି

କହିଛନ୍ତି କେଡ଼େ ଦୟା କରି ଭାବଗ୍ରାହୀ ।

ଏ ରୂପେ ପାଞ୍ଚନ୍ତି ପକ୍ଷୀରାଜ ହୃଦଗତେ

ସେ କଥା ଜାଣିଲେ ଅନ୍ତର୍ଯ୍ୟାମୀ ଲକ୍ଷ୍ମୀକାନ୍ତେ ।

ବୋଇଲେ ଗରୁଡ଼ ପରି ନାହିଁ ମୋର ଭକ୍ତ

କେଡ଼େ ହେଁ ବଳିଷ୍ଠ ସେହି ବିନତାର ସୁତ ।

ଯାର ପକ୍ଷାଘାତେ ଯିବ ଏ ବ୍ରହ୍ମାଣ୍ଡ ଟଳି

ସେହି ମୋହର ସହିଛି ଭାରା ଯେ ଆର୍ଦ୍ଦୋଳି ।

ଏଡେ ଭକ୍ତ ଥାଉଁ ମୋର କାହାକୁ ଯେ ଡର

ଏ ରୂପେ ବୋଲି ଧରିଲେ ଶର ପ୍ରଭୁ କର ।

ଶଙ୍ଖ ଚକ୍ର ଗଦା ପଦ୍ମ ଶୋହେ ଚତୁର୍ଭୁଜେ

ବାବଲ ଧରିଣ ଶେଷଦେବ କଲେ ବିଜେ ।

କଣ୍ଠ ତୁଲେ ନୃସିଂହ ବିକଣ୍ଠ ତୁଲେ ଶେଷ

ଗରୁଡ଼ ତ୍ରିମୁଣ୍ଡାର ଲାଗିଲା ଅମରକ୍ଷ ।

ତ୍ରିମୁଣ୍ଡା ବୋଇଲା ବାପ ଶୁଣ ପୁତ୍ରେ ମୋର

ଦେଖ ମୋ ସଙ୍ଗେ ଲାଗିଲା ଆସି ପକ୍ଷୀ ଛାର ।

ଗରୁଡ଼ର ଥଣ୍ଟ ମୁହିଁ ପକାଇବି ଭାଙ୍ଗି

ନୃସିଂହ ବେନିଭାଇଙ୍କୁ ଥାଅ ଏକା ଜଗି ।

ଏତେ ବୋଲି କୋପେ ଶସ୍ତ୍ର ଧରିଣ ତ୍ରିମୁଣ୍ଡା

ଗରୁଡ଼ ପରେ ପିଟିଲା ନେଇ ଆଗ ଖଣ୍ଡା ।

ଖଣ୍ଡା ପଡ଼ନ୍ତେ ସେ ପକ୍ଷୀ ଦେଲା ଖଗ ଆଡ଼ି

ବାଜନ୍ତେ ପଡ଼ିଲା ଧୂଳି ହୋଇ ଖଣ୍ଡା ଝଡ଼ି ।

ଖଣ୍ଡାଭଗ୍ନ ଦେଖିଉଠେ ଦୈତ୍ୟ ମହାକୋପେ

ବୁଲାଇ ସେ ଗଦାବର ପିଟିଲା ପ୍ରତାପେ ।

ଦେଖି ଖଗେଶ୍ଵର ଆଡ଼ିଲାକ ନେଇ ପିଠି

ବାଜିଣ ଯେ ଗଦା ପଡ଼ିଲାକ ଧୂଳି ଉଠି ।

ଦେଖିଣ ତ୍ରିମୁଣ୍ଡା ତାହା ଆଚମ୍ବିତ ହେଲା

ଲେଉଟି ନିର୍ଖାତେ ଗଦା ନେଇ କଚାଡ଼ିଲା ।

ଗଦା ବାଜନ୍ତେଣ ପକ୍ଷୀ ହସେ ଟହ ଟହ

ବୋଇଲା ଦୈତ୍ୟରେ ଏବେ କରିବୁ କି କହ ।

ତ୍ରିମୁଣ୍ଡା ବୋଇଲା ତୁ ରେ କେଡ଼େ ହେଁ ବଳିଷ୍ଠ

ବଜ୍ରହୁଁ ଦେହ ତୋହର ଅଟେ କେଡ଼େ ଆଣ୍ଟ ।

ମରୁରେ ପଡ଼ନ୍ତେ ସେହୁ ଯାନ୍ତା ରସାତଳ

ଭଲା ତୋତେ ଦେଇଛି ରେ ଧାତା ଆୟୁବଳ ।

ଧନ୍ୟ ଆରେ ପକ୍ଷୀ ତୋର ଅଟେ ଜନ୍ମକଳା

ଗରୁଡ଼ ବୋଲେ ବହନ ଏଥୁ ତେବେ ପଳା ।

ଗଦା ଗୋଟିଏ ପିଟିଛୁ ସିନା ମୋର ପିଠି

ପଡ଼ିଲେ ବଜ୍ରମାନେ ଯିବେ ଧୂଳି ଉଠି ।

ବାଜନ୍ତେତୋ ଗଦା କରେ ମୋର ଦେହକଣ୍ଡୁ

ନାରାଚ ବିନ୍ଧିଲେ ସେହୁ ଯିବେ ହୋଇ ଲାଣ୍ଡୁ ।

ଯେତେକ ଶର ଅଛଇ ତୋର ବେଗେ ଆଣ

ଏ ରୂପେ ବୋଲି ଯେ ଖଗ ବିସ୍ତାରିଲା ପୁଣ ।

ଶତେ ଯୋଜନକୁ ବଢ଼ିଗଲା ବେନି ଡେଣା

ଶୁଣ ନାରଦା ମହିମା ତାର ଅକଳଣା ।

ନୃସିଂହ ଆଜ୍ଞାରେ ସେହୁ ଯେତେ ବଢ଼ୁଥିବ

ଶେଷ ମହିମା ଜାଣି ନ ପାରେ ବ୍ରହ୍ମାଶିବ ।

କିଞ୍ଚିତେ ବିସ୍ତାରି ସିନା ଦେଉଛି ଖଗ

ଆବର ଯେ ଦଶଯୁଣ ଦିଶେ ପିଠି ଭାଗ ।

ବାର ଯୋଜନକୁ ବଢ଼ିଗଲା ଏକ ଥଣ୍ଟ

ତା ଦେଖି ତ୍ରିଶୁଣ୍ଡା ଚାହୁଁ ଅଛି ମଟ ମଟ ।

ବୋଇଲା ନ ପୁଣ ଏହୁ ଗିଳିଦେବ ମୋତେ

ଏ ରୂପେ ପାଞ୍ଚି ବିନ୍ଧିଲା ଶର ଅପ୍ରମିତେ ।

ଶାବେଳି ଗଦା କୁନ୍ତ ଯେ ଛେଲ ଭାଲ ଖଣ୍ଡା

ଗରୁଡ଼ ଉପରେ ନେଇ ପିଟିଲା ତ୍ରିମୁଣ୍ଡା ।

ଶକତି ପର୍ବତ ବଜ୍ରଶର ମନଭେଦୀ

ଆବର ଜଳପାଶ ଯେ ନାଗପାଶ ବିନ୍ଧି ।

Unknown

ମହା ଅକର୍ମଶିଳା ଯେ ଗରୁଡ଼ ମହିମା

ବଢ଼ାଇଥିବା ତା ପିଠି ଦଶ ଯୁଣ ସିନା ।

ପେଷିଲା ଯେତେକ ଶର ତ୍ରିମୁଣ୍ଡା ଯେ ଜାଣ

ସେ ଶରଙ୍କ ନାମ ଏବେ କହିବା ହୋ ଶୁଣ ।

ଗରୁଡ଼ ପୃଷ୍ଠରେ ପଡ଼ି ଭାଜିଲା ତା ତେଜ

ଶୁଣ ନାରଦ ଯେ ରୂପେ ଗଲା ତେଜ ଆଜ ।

ଗଦା ଗଲା ଭାଜି ଶାବେଳି ହେ ଗଲା ଝଡ଼ି

କୁନ୍ତ ଲୋଚା ହେଲା ଛେଲ ମୁନ ହେଲା ମୋଡ଼ି।

ବାଜିଣ ସେ ଭାଲ ଜାଣ ହେଲା ଖଣ୍ଡ ଖଣ୍ଡ

ବଜ୍ର ଶକତି ଯେ ହେଲା ତହିଁ ମସି ଗୁଣ୍ଡ ।

ଯେଉଁ ମନଭେଦି ଶର ଅଟଇଟି ପୁଣି

ପୁରାଣେ ତାହା ବଡ଼ିମା କଥା ଥାଉଁ ଶୁଣି ।

ଗରୁଡ଼ ତହିଁ ଦ୍ଵିଗୁଣ ହୋଇଲାକ ବଢ଼ି

ରହିଲା ପଞ୍ଚାଶକୋଟି ଯୁଣ ପୃଥ୍ଵୀ ମାଡ଼ି ।

ସେ ଖଗେଶ୍ଵରକୁ ଶର ନ ପାରିଲା ଜିଣି

ଗରୁଡ଼ ପିଠିରେ ପଡ଼ି ଭାଜିଲା ସେକ୍ଷଣି ।

ଆବର ଯେ ଜଳପାଶ ମାଡ଼ି ଆସୁଥିଲା

ଗରୁଡ଼ ପିଠିରେ ପଡ଼ି ତଳେ ବହିଗଲା ।

ଆବର ଆସନ୍ତେ ଶୂନ୍ୟେ ନାଗପାଶ ଗ୍ରାସି

ଗରୁଡ଼ ଦେଖି ପାତାଳେ ଗଲେ ଭୟେ ପଶି ।

ବାଜି ଦେହେ ଖଣ୍ଡାମାନ ହେଲେ ମସିଗୁଣ୍ଡା

ଦେଖି ମନେ ମହାଭୟ କଲାକ ତ୍ରିମୁଣ୍ଡା ।

ବୋଇଲା ଏ ପକ୍ଷୀ ନୁହେଁ ଅଟେ ବଡ଼ଜଣ

ଏହାର ହାତେ ନିଶ୍ଚୟ ଯିବ ମୋର ପ୍ରାଣ ।

ଏ ଅବା ମୋତେ ମାରୁ ମୁଁ ଅବା ପାରେ ମାରି

ଯାଉଛି ମୁଁ ମାଲବନ୍ଧେ ହେବି ଧରାଧରି ।

ଏ ରୂପେ ବୋଲିଣ ଦୈତ୍ୟ ରଥୁ ପଡ଼େ ଡେଇଁ

ମାଇଲା ସେ ଗରୁଡ଼କୁ ଏକ ବିଧା ଯାଇ ।

ବାଜନ୍ତେ ବିଧା ଉଠିଲା ପକ୍ଷୀ କୋପଭରେ

ମାଇଲା ମୁଥେକ ନେଇ ନିର୍ଘାତ ପ୍ରକାରେ ।

ସେ ମୁଥ ବାଜି ପଡ଼ନ୍ତେ ଦୈତ୍ୟ ମୁଖମାଡ଼ି

ହୁଁ କାର ନାଦେ ପିଠିରେ ତାର ପକ୍ଷୀଚଢ଼ି ।

ମୁଖରେ ଯେ ଅଶ୍ଵପ୍ରାୟ ଦେଲା କଡ଼ିଆଳି

ମୂଷିକକୁ ମାଡ଼ି ଯେହ୍ନେ ବସଇ ବିଡାଳୀ ।

ହୃଦରେ ଚଞ୍ଚୁ ଭୁଷନ୍ତେ ନେଇ ଖଗେଶ୍ଵର

ପକ୍ଷୀକି ଲେଉଟି ମାଡ଼ି ବସିଲା ଅସୁର ।

ନ ପାରିଲା ପ୍ରାୟ ପକ୍ଷୀ ତଳେ ଥିଲା ପଡ଼ି

ଲେଉଟି ସେ ଖଗେଶ୍ଵର ବସିଲାକ ମାଡ଼ି ।

ରେରେ ଦୈତ୍ୟ ବୋଲିଣ ଯେ ଧରିଲାକ ଯାକି

ନିର୍ଘାତ ପରାୟେ ଟେକି ଶୂନ୍ୟେ ଦେଲା କ୍ଷେପି।

ତଳରେ ପଡ଼ି ସେ ଦୈତ୍ୟ ହସେ ଟହ ଟହ

ପୁଣି ଗରୁଡ଼ ବସିଲା ମାଡ଼ି ତାର ଦେହ ।

ବେନିଘଗେ ସାଉଁଟି ସେ ଶ୍ଵନ୍ୟେ ଗଲା ଉଡ଼ି

ମେରୁର ଉପରେ ନେଇ ଛେଚିଲା କଚାଡ଼ି ।

ନହନ୍ତେ କେବୋହେଁ ତ୍ରିମୁଣ୍ଡାର ପ୍ରାଣନାଶ

ପୁଣିହିଁ ପକ୍ଷୀକି ମାଡ଼ି ବସିଲା ରାକ୍ଷସ ।

ଗରୁଡ଼ ଦେଖିଣା କାଖେ ଯାକି ମାରେ ହେଣ୍ଡା

ବୋଇଲା ଏଥର ନିଶ୍ଚେଁ ମଲୁରେ ତ୍ରିମୁଣ୍ଡା ।

ବୋଇଲା କରିବା ମାଲାବନ୍ଧେ ଦୁହେଁ ଯୁଦ୍ଧ

ଯେ ମାରି ପାରିବେ ତାଙ୍କୁ ରଖିବେ ଗୋବିନ୍ଦ ।

ଏ ରୂପେ ବୋଲି ହୁଙ୍କାର ନାଦ ପକ୍ଷୀ କଲା

ତ୍ରିମୁଣ୍ଡାକୁ ଲେଉଟାଇ ମାଡ଼ିଣ ବସିଲା ।

ମାଲବନ୍ଧ ପ୍ରାୟେକ ସେ ହେଲେ ଛନ୍ଦାଛନ୍ଦି

ଛାତିକି ଯେ ଛାତିପଟ ବାହୁ ବାହୁ ବାନ୍ଧି ।

ପାଦକୁ ଯେ ପାଦ ଛନ୍ଦି ହ୍ଵନ୍ତି ଗଡ଼ାଗଡ଼ି

କେ ତଳେ ପଡ଼ିଣ କେହୁ ବସେ ପୁଣି ମାଡ଼ି ।

ବାଜିଣ ଯେ ବନଗିରି ପଡ଼ି ହେଲେ ଧୂଳି

ଗରୁଡ଼ ଯେ ମାଡ଼ିବସି ପାଡେ ହୁଳହୁଳି ।

ଏହିରୂପେ ତିନିଦଣ୍ଡ ଲାଗନ୍ତେ ସମର

କଉତୁକ ପ୍ରାୟ ତାହା ମଣେ ଖଗେଶ୍ଵର ।

ସମର ଆଦ୍ୟୁ ଯେବେ ସେ ଦୈତ୍ୟ ମାରିଦ୍ୟନ୍ତା

ଏତେବେଳେ ଯାଏ ତ୍ରିମୁଣ୍ଡା କି ଜୀଇଥାନ୍ତା ।

ଗରୁଡ଼ ବଳକୁ କିସ ଅଟେ ସେ ଅସୁର

ଏକ ନିଃଶ୍ଵାସକେ କମ୍ପିଯିବ ତିନିପୁର ।

ଖଗ ବିଞ୍ଚନ୍ତେ ବହିବ ଯାର ଅଣଚାଶ

ସେହି ପୁରୁଷ ଯୁଦ୍ଧକୁ କିଏ ସେ ରାକ୍ଷସ ।

କେବଳ ଶେଷଦେବଙ୍କୁ ଛାଡ଼ିଯିବ ଡରେ

ବୈନତେୟ ପାଞ୍ଚଇ ସେ ଆପଣା ହୃଦରେ ।

ବୋଲଇ କେଡ଼େ ଅପ୍ରାଧ କଲି ମୁଁ ପାମର

ଶେଷଦେବଙ୍କୁ ଛାଡ଼ି ଆସିଲି ଏତେ ଦୂର ।

ଶ୍ରୀନୃସିଂହ ପ୍ରଭୁ ଆଜ୍ଞା ମେଣ୍ଡିଣ ଆସିଲି

ସହସ୍ରେ ଯୋଜନ ଭିଡ଼ି ଦୈତ୍ୟକୁ ଆଣିଲି ।

ଭାଇକି ମୋ ସମ୍ଭାଳି ଥିବୁ ବୋଲି ଥିଲେ

ଏବେ ସେ ଆଜ୍ଞା ମେଣ୍ଟିଲି ମୁହିଁ କାହାବୋଲେ ।

ଆସିଲି ସମର ସ୍ଥାନ ଛାଡ଼ି ଏତେ ଦୂର

ମେରୁରେ ଛେଚିଲେ ଆଣି ନ ମଲା ଅସୁର ।

ଏବେ ହେଁ କିରୂପେ ମାରି ଶୀଘ୍ରେ ଯିବି ଚଳି

ଏ ରୂପେ ପାଞ୍ଚି ଉଠିଲା କୋପେ ମହାବଳୀ ।

ଅସୁରକୁ ଧରି ପୁଣି ମାଡ଼ିଣ ବସିଲା

ଗଗନକୁ ଚଢ଼ି ବିଂଶ ଯୁଣ ଉଚ୍ଚ ହେଲା ।

ବସିଣ ଗର୍ଜିଣ ବିଶ୍ଵ ରୂପେ ବୁକୁ ମାଡ଼ି

ଥଣ୍ଟ ମାରି ପକ୍ଷୀ ବେକନଳା ଦେଲା ତାଡ଼ି ।

ହୃଦୟରେ ପାଦଦେଇ ଭୁଜ ଉପାଡ଼ିଲା

ମଲି ମଲି ବୋଲି ଦୈତ୍ୟ ପ୍ରାଣ ଛାଡ଼ିଗଲା ।

ଶରୀରୁ ତା ପ୍ରାଣ ଛାଡ଼ିଗଲା ଅନ୍ତରୀକ୍ଷେ

ତକ୍ଷଣେ ଯାଇ ବସିଲା ପୁଣି ଦେବଲୋକେ ।

କାହାକୁ ଥଣ୍ଟରେ ଚିରି ପାଦେ ଦିଏ ମାରି

ନିମିଷମାତ୍ରେ ସବୁଙ୍କୁ ଦେଲା କ୍ଷୟ କରି ।

ନୃସିଂହକୁ ଚାହିଁ କରି ମନେ ପାଇ ଲାଜ

ରହିଲା ଶେଷଦେବଙ୍କ ପାଶେ ପକ୍ଷୀରାଜ ।

ଜାଣିଲେ ସେ ମନକଥା ତାର ଚକ୍ରପାଣି

ଯୁଦ୍ଧରେ ଲାଗିଅଛନ୍ତି ହସ୍ତେ ଧନୁ ଟାଣି ।

କଣ୍ଠ ବିକଣ୍ଠର ତୁଲେ ଘୋର ଯୁଦ୍ଧକରି

ସେ କଥା ଗୋଟିକି ଏବେ ଶୁଣ ତପଚାରୀ ।

କକଡ଼ାମାସେ ବରଷେ ଇନ୍ଦ୍ର ଯେହ୍ନେ ପାଣି

କଣ୍ଠ ବିକଣ୍ଠ ବିନ୍ଧନ୍ତି ଶର ତଥା ଟାଣି ।

ଛେଦି ପକାନ୍ତି ସେ ଶରଯାକ ନାରାୟଣ

ବିନ୍ଧନ୍ତି କଣ୍ଠ ବିକଣ୍ଠ ବେନି ପୁଣି ବାଣ ।

ନାଶନ୍ତି ଦୂରହୁଁ ଦେଖି ତାହା ଦଇତ୍ୟାରି

ଲେଉଟି କଣ୍ଠ ଅସୁର ଅଗ୍ମିଶର ମାରି ।

ମନ୍ତ୍ରପଢ଼ିଣ କୃଶାନୁ ଶର ଦେଲା ଛାଡ଼ି

ବୋଇଲା ଶତ୍ରୁକୁ ମାରି ପକାବେଗେ ପୋଡ଼ି ।

ଶୁଣିଣ ସେ ଅଗ୍ନିଶର ଆସେ ଶୂନ୍ୟେ ଘୋଟି

ବିନ୍ଧିଲେ ନୃସିଂହ ଜଳଧାରା ଶରଗୋଟି ।

ଲିଭିଲେ ସେ ବୈଶ୍ଵାନର ଗଲେ ଗୋପ୍ୟ ହୋଇ

ଦେଖି ତାହା ଚମତ୍କାର ହେଲେ ଦୈତ୍ୟଦୁଇ ।

ବୋଲେ ମେଣ୍ଟିଲେ ବଲ୍ଲଭପୁଏ କେଡ଼େ ଶର

ନୁହନ୍ତି ସାମାନ୍ୟ ନୁହେଁ ହେବେ ହରିହର ।

ସେହି ତ ମଲେ ରହନ୍ତେ ପୁଣି ଅପସରି

ଏ ରୂପେ ବୋଲି ଉଠିଲେ କରେ ଧନୁଧରି ।

ସୂର୍ଯ୍ୟାବଳି ଅର୍ଦ୍ଧଚନ୍ଦ୍ର ରତ୍ନାବଳି ଯାଏ

ବିନ୍ଧିଲେ ଆବର ଦେବଶର ଅପ୍ରମେୟେ ।

ବାବଲ ଶରେ ଛେଦିଲେ ତାହା ପଦ୍ମମୁଖ

ବାଣ ଭଗ୍ନ ଦେଖି ଦୈତ୍ୟ କରନ୍ତି ଯେ ଦୁଃଖ ।

କଣ୍ଠ ବିକଣ୍ଠ ଏ ଦୁହେଁ ବହୁ ଶ୍ରମ ପାଇ

କନିଷ୍ଠ ବୋଇଲା ଏବେ ଶୁଣ ବଡ଼ଭାଇ ।

ଶ୍ରୀ ନୃସିଂହ ପ୍ରଭୁ ହେଳେ ପାରେ ସବୁ କରି

ପଳାଇ ଯିବାର ଏହା ମୁଖୁ ଆମ୍ଭେ ତରି ।

ଗଲେ ତ ଲୋକରେ ନିନ୍ଦା ପାଇବା ଅବଶ୍ୟ

ମୃରାସୁର କୁ କହିବା ଯାଇଁ ଆଉ କିସ ।

ତଥାପି ପଳାଇ ଗଲେ ଚାହିଁବା କା ମୁଖ

ଏ ରୂପେ ଜୀଇଁବା ଯାହା ମଲେ ବଡ଼ ସୁଖ ।

ସଭାରେ ଚାହିଁବା କାହା ମୁଖ ଆମ୍ଭେ ଯାଇ

ହସିବେକ କ୍ଷତ୍ରୀମାନେ ନାକେ ହସ୍ତ ଦେଇ ।

ବୋଲିବେ ଭୟାଳୁ କଣ୍ଠ ବିକଣ୍ଠ ଯେ ବେନି

ସମରେ ମରିବ ସେ ଯେ ଆସିଥିବ ଘେନି ।

ଏ ରୂପେ ବୋଇଲେ ଲୋକେ ମୃତ୍ୟୁରୁ ବଳିବ

ଏହିଠାରେ ମଲେ ନିଶ୍ଚେ ସ୍ଵର୍ଗଭୋଗ ହେବ ।

ସାନର ଏ କଥା ଶୁଣି ହସେ ବଡ଼ ଭାଇ

ବୋଇଲା କହିଲୁ ଏଡ଼େ କଥା କିମ୍ପା ତୁହି ।

ଏଥର କରିବା ଚାଲ ଯାଇଁ ଗଦାଯୁଦ୍ଧ

ତହିଁ ନ ପାରିଲେ କରିବାକ ମାଲବନ୍ଧ ।

ନୃସିଂହ ହାତେ ମଲେ ଲଭିବା ବୈକୁଣ୍ଠ

ଏ ରୂପେ ବୋଲିଣ ଗଦା ଧରି କରେ କଣ୍ଠ ।

ପ୍ରାଣ ଆଶା ଛାଡ଼ି ରଥୁ ପଡ଼ିଲାକ ଡେଇଁ

ମିଳିଲେ ନୃସିଂହ ସ୍ଵାମୀ ପାଶେ ଦୁହେଁ ଯାଇଁ ।

ବୋଇଲେ କରିବା ଏବେ ଆସ ଗଦାଯୁଦ୍ଧ

ତହିଁକି ଲାଗୁଛି ଆମ୍ଭ ମନ ବଡ଼ ସାଧ ।

ପାରିଲେ ତୁମ୍ଭଙ୍କୁ ଜିଣି ହେବ ବଡ଼ ଯଶ

ବୋଲିବେକ ଭଲା କ୍ଷତ୍ରୀ ତ୍ରିୁମୁଣ୍ଡାର ଶିଷ୍ୟ ।

ନୃସିଂହ ବୋଇଲେ ଆଚ୍ଛାକଲ ଯେବେ ବାଞ୍ଛା

ବୈକୁଣ୍ଠେ ବସ ହୋ ତେବେ ହେଲା ଯେବେ ଇଚ୍ଛା ।

ଶୁଣିଣ ଧଇଲେ କରେ ଗଦା ଦୈତ୍ୟ ବେନି

ଉଠିଲେ ନୃସିଂହ କୌମୋଦକୀ ଗଦା ଘେନି ।

ଶେଷଦେବ କରେ ବଜ୍ର ମୂଷଳକୁ ଧରି

ବୁଲାନ୍ତି ନୃସିଂହ ଗଦା ଚକ୍ର ପ୍ରାୟ କରି ।

ଶୂନ୍ୟରେ ଧରନ୍ତେ ଗଦା ଫିଙ୍ଗି ମନେ ପାଞ୍ଚ

ଆଣ୍ଠୁରେ ଭରା ଦେଇଣ ଗଦାମୁନ ଯୋଚି ।

ପଛକୁ ଉଠି ଡ଼ିଅନ୍ତି ପୁଣି ଭେଡ଼ା ଦଶ

ଲେଉଟି ଥାଉଁ କରନ୍ତି ମୁଣି ଗଦାଘୋଷ ।

କେ ଗଦା ପିଟନ୍ତି ଗଦା ଦିଅନ୍ତି କେ ମାଡ଼ି

କେବଣ ଗଦା ବାଜିଣ ଉଠେ ମଥା ପୋଡ଼ି ।

କେହି ଶୂନ୍ୟେ ଆଡ଼ଚିରା ମାରେ ଗଦାଘାତେ

କେ ଡେଇଁ ପଡ଼ି ଭୂମିରେ ମାରଇ ଯେ ନାତେ ।

ଚରଣର ଛଟକର ଚାଲି ଏକାବେଳେ

କାହାର ଗଦା ପଡ଼ିଲେ ସେ ମହୀରୁ ତୋଳେ ।

ଏ ରୂପେ ସେ ଗଦାମାରି ହ୍ଵନ୍ତି ପିଟାପିଟି

ବାଜନ୍ତେ ଗଦା କାହାର ଅଗ୍ନି ଜଳି ଉଠି ।

କାହାର କାହାକୁ ତହିଁ ନାହିଁ ଉପରୋଧ

କେ ପିଟଇ ଊଣା କେହୁ ପିଟେ ହୋଇ କ୍ରୋଧ ।

ଉଞ୍ଚାଇ କେ ଅରବନ୍ଧ ମାରେ ଶୂନ୍ୟେ ଧରି

କେହି ଗଦା ପିଟୁ ପିଟୁ ହସ୍ତ ଯାଏ ଫେରି ।

ଭରସା କରିଣ କେହି ପିଟି ପକାବନ୍ତେ

ନୃସିଂହ ବୋଇଲେ ଭଲ ଅଛ ବେନି ଦୈତ୍ୟେ ।

ତୁମ୍ଭର କ୍ଷତ୍ରିୟପଣ ଦେଖିଲୁ କୌତୁକେ

ବୁଝିଲେ ତ ଯୋଦ୍ଧାପଣେ ନାହିଁକେ ତ୍ରିଲୋକେ।

ଏଥର ଗଦା ସମ୍ଭାଳି ପାରୁ ଯେବେ ମୋର

ତେବେ ତ ରହିବୁ ଦିନାକେତେ ହୋଇ ଚିର ।

ଏବେ ଦେଖ କହୁଁ କହୁଁ ହେଲା ସାତଦିନ

କୌମୁଦକୀ ଗଦା ପିଟିଲେକ ଭଗବାନ ।

ପିଟିବା ଛଟକେ ଛିଡ଼ିଗଲା ଦୈତ୍ୟମୁଣ୍ଡ

ଦେବତାମାନେ ଯେ ଆସି ଶୂନ୍ୟହେଲେ ରୁଣ୍ଡ ।

ଶ୍ରୀନୃସିଂହ ଶିରରେ ଆଣି ପୁଷ୍ପ ବୃଷ୍ଟି କଲେ

ଶୁଣ ବିକଣ୍ଠ ଦୈତ୍ୟ ହେ ମୃତ୍ୟୁ ଏବେ ଭଲେ ।

ବଜ୍ର ମୂଷଳରେ ଶେଷଦେବ ଦେଲେ ମାରି

କଣ୍ଠ ବିକଣ୍ଠ ଏ ବେନି ଗଲେ ଭବୁ ତରି ।

ଏ ରୂପେ ତାଙ୍କୁ ମାରି ଶ୍ରୀନୃସିଂହ ବେନିଭାଇ

ଗଙ୍ଗାରେ ପଶିଣ ସ୍ନାନ କଲେ ବେଗେ ଯାଇଁ ।

ଉଠିଲେ ସନ୍ଧ୍ୟାତର୍ପଣ କରି ଭଗବାନ

ଗରୁଡ଼ ଉପରେ ଯାଇ ବସିଲେ ବହନ ।

ଦେବଯାନ ରଥେ ବସିଲେକ ଶେଷଦେବ

କଳିଯୁଗେ ତାଳଧ୍ଵଜ ନାମ ସେ ହୋଇବ ।

ଈଳାର ବିଭାକାଳେ ତା ଧାତା ଦେଇଥିଲେ

ସେ ରଥରେ ଶେଷଦେବ ଯାଇଣ ବସିଲେ ।

ବଦ୍ରିକା ନଗରେ ଯାଇ ହେଲେ ପରବେଶ

ନୃସିଂହ ଶରଣ ବିପ୍ର ପୀତାମ୍ବର ଦାଶ ।

ସବୁ ଦ୍ଵାରେ ଦଧି ମାଛ ପୂର୍ଣ୍ଣକୁମ୍ଭ ଥୋଇ

ଢାଳନ୍ତି ଚାମରମାନ ଭୃତ୍ୟଗଣେ ଯାଇ ।

ନଗରରେ ଯେତେ ନାରୀ ବାଳ ବୃଦ୍ଧ ଯୁବା

ସମସ୍ତେ ଦେଖନ୍ତି ଦାଣ୍ଡେ ଆସି ହୋଇ ଉଭା ।

ଖେଦା ଖେଦା ହୋଇ ବଡ଼ ଦାଣ୍ଡେ ଯାକେ ପୂରି

ପକାନ୍ତି ଯେ ହୁଳହୁଳି ମଙ୍ଗଳ ଉଚ୍ଚାରି ।

ଢୋଲ ଦମା ଟମକ ଯେ ବାଜେ ବିଜିଘୋଷ

ବାଜଇ ମହୁରୀ ଶଙ୍ଖ ବୀଣା ଚଉପାଶ ।

ଗଣ୍ଟି ଘଣ୍ଟା ଘାଗୁଡ଼ି ଯେ ବାଜେ ରୁଣଝୁଣ

କଂସାଲ ତାଳ ଯନ୍ତ୍ରର ଶବ୍ଦ ଗରୁ ଟାଣ ।

ନାଚନ୍ତି ଗଣିକା ସ୍ତିରୀମାନେ ବୀଣା ବାଇ

ଶୁଭୁଅଛି ଗହ ଗହ ବଦରିକା ଭୂଇଁ ।

ଦକ୍ଷିଣ ମେଲାରେ କଲେ ଶ୍ରୀନୃସିଂହ ବିଜେ

ସୁଜାଣ ମନ୍ତ୍ରୀକି କହନ୍ତି ଯେ ଦେବରାଜେ ।

ବୋଇଲେ ଗୃହକୁ ଏବେ ସର୍ବେ ଚଳିଯାନ୍ତୁ

ଭଜନମାଳା ସାରିଣ ପ୍ରସାଦ ଯେ ପାନ୍ତୁ ।

ପୁନଶ୍ଚ ଆସିବେ ବୋଲି ଆଉ କେତେ ଦୈତ୍ୟ

ହୋଇବ ଅନେକ ଯୁଦ୍ଧ ପୁଣି ଅପ୍ରମିତ ।

ସୁଜାଣ ମନ୍ତ୍ରୀ ଶୁଣ ଶ୍ରୀଆଜ୍ଞା ପରମାଣେ

ସମସ୍ତେ ଚଳ ହୋ ବୋଲି କହିଲା ତକ୍ଷଣେ ।

କର୍ଣ୍ଣାଟେଶକୁ ପୁଣି ଶ୍ରୀମୁଖେ ଦେଲେ ଆଜ୍ଞା

ପ୍ରସାଦ ନିମନ୍ତେ ଚଳ ଆହେ ନୃପ ସଂଜ୍ଞା ।

ଖଟଣିକାର ଯେ ଲୋକେ ଗଲେ ଆଜ୍ଞାପାଇ

ପୁଣିହିଁ ଖଗେଶ୍ଵରଙ୍କୁ ଆଜ୍ଞାଦେଲେ ଚାହିଁ ।

ବୋଇଲେ ହେ ଗରୁଡ଼ ତୁ ବେଗେ ଯାଅ ଚଳି

ଗ୍ରାସକର ଅମୃତ ତୋ ବସାରେ ଯେ ମିଳି ।

ଶୁଣି ପକ୍ଷୀରାଜ ତାର ଯୋଡ଼ି ବେନିକର

ବସାକୁ ସେ ଯାଉ ଯାଉ ମନେ ପାଞ୍ଚେ ତାର ।

ବୋଇଲାତ ଭୁଞ୍ଜିବାକୁ ଘରେ ନାହିଁ କିଛି

ଯେତେ ଥିଲା ଖାଇ ଦେଇ ଅଛି ସବୁ ପୋଛି ।

ଏବେ ଗଲାକ୍ଷଣି କିସ ଭୁଞ୍ଜିବି ଯେ ମୁହିଁ

ଉପାୟ ନ କଲେ ଗ୍ରାସ କେବେ ନ ମିଳଇ ।

ଏ ରୂପେ ବୋଲି ବୁଲନ୍ତେ ପକ୍ଷୀ ନଗ୍ରଯାକେ

ସବୁରି ଘରେ କୁଣିଆ ଦେଖେ ଦୁଇ ଏକେ ।

କାହା ଘରେ ପଡ଼ିଛନ୍ତି ଯାଇ ସାତ ପାଞ୍ଚ

କୁଣୁଆ ଦେଖି ଗରୁଡ଼ କଲେ ମନ ତୁଚ୍ଛ ।

ଘରକୁ ଘର ସେ ପଶି ଆସେ ପଛ ଘୁଞ୍ଚି

କୁଣୁଆ ଦେଖି କାହାକୁ ନ ମାଗଇ କିଛି ।

ସବୁରି ଘରେ କୁଣୁଆ ପ୍ରଭୁ ଅନ୍ତର୍ଯ୍ୟାମୀ

ଗରୁଡ଼ ଦେଖିଣ ତାହା ଆସେ ନଗ୍ର ଭ୍ରମି ।

ନ ମାଗିଣ ଲଜ୍ଜାକରି ଆସନ୍ତେ ବସାକୁ

ଗରୁଡ଼ ପାଞ୍ଚେଣି ପ୍ରଭୁ ଜାଣିଲେ ମନକୁ ।

ଅନ୍ନ ପଡ଼ିଦାତା ସେ ଅଟନ୍ତି ଭାବଗ୍ରାହୀ

ବସାରେ ପ୍ରସାଦ ଦେଇ ଅଛନ୍ତି ଯେ ଥୋଇ ।

ଆଜ୍ଞା ଅନୁସାରେ ସବୁ ହୋଇଅଛି ଥୁଆ

ଗୋରସ ଛେନା ଶାକର ଦୁଧ ଖଣ୍ଡ ମୁଆଁ ।

ସିଂଘଡ଼ା ଲବଣୀ ଖଇ ହୋଇ ମେଞ୍ଚି ମେଞ୍ଚି

ନବାତ କର୍ପୂର ପୁଳି ବାଡ଼ି ହୋଇ ସିଞ୍ଚ ।

ଅମୃତ ଝିଲ କଦଳୀ ସାଚିପଣା ଆଦି

ଗରୁଡ଼ର ବସାଘରେ ଅଛି ପରସାଦି ।

ଦେଖିଣ ତା ଖଗେଶ୍ଵର ହେଲା ଆଚମ୍ବିତ

ବୋଇଲା ଧନ୍ୟ ହେ ପ୍ରଭୁ ଶ୍ରୀ ନୃସିଂହ ନାଥ ।

ଏ ରୂପେ ନୁହନ୍ତେ ଯେବେ ହରି ଅନ୍ତର୍ଯ୍ୟାମୀ

କି ରୂପେ ବରୁଣ ପୁରୁ ଆସନ୍ତେ ସେ ଲକ୍ଷ୍ମୀ ।

ଏଡ଼େ ହେଁ ଲାଖ ପାରନ୍ତା ବିନ୍ଧି କେଉଁ ନର

ପ୍ରତ୍ୟକ୍ଷେ ଅଟନ୍ତି ମହାଲକ୍ଷ୍ମୀ ପତ୍ନୀ ଯାର ।

ଏମନ୍ତ ଲକ୍ଷ୍ମୀମନ୍ଦିରେ ଛନ୍ତି ଯାର ରହି

ସେ ପ୍ରଭୁ ନ ଦେବେ ଉପହାର କାହିଁପାଇଁ ।

ପ୍ରକୃତି ମଞ୍ଜିରୁ ମୂଳ ପାରେ ବିଷ୍ଣୁ ଚିହ୍ନି

ନୋହିଲେ ଅଟନ୍ତି ସେ କି ପ୍ରଭୁ ଅନ୍ତର୍ଯ୍ୟାମୀ ।

ବ୍ରହ୍ମାଣ୍ଡେ ଯେବଣ ମୃରାସୁର ଚକ୍ରବର୍ତ୍ତ

ସତର ଲକ୍ଷ କୁମର ନବଲକ୍ଷ ନାତି ।

ଛତିଶ ଯେ ସେନାପତି ଆଉ ସୈନ୍ୟ ଯେତେ

ନାଶନ୍ତି ଶ୍ରୀହରି ଦେଖି୍ଛି ମୁଁ ସାକ୍ଷାତେ ।

ଅନୁବ୍ରତେ ଅଟନ୍ତି ସେ ଦାନୀ ଚକ୍ରପାଣି

ସବୁଙ୍କୁ ତ ପଡ଼ି ଖଞ୍ଜୁଥାନ୍ତି ମନଜାଣି ।

ଏମନ୍ତ ପ୍ରଭୁର ମୁଁ ଯେ ଅଟେ ସେବାକାରୀ

ଲୋଡ଼ିଲେ କି ଗ୍ରାସ ପାଇ ପ୍ରଭୁଙ୍କୁ ନ ସ୍ମରି ।

ନୋହିଲେ ବିଧାତା ପକ୍ଷୀ ଜନ୍ମ କରନ୍ତା କି

ଏଡ଼େ ପ୍ରଭୁ ସେବି ନ ଜାଣେ କଥା ତର୍କି ।

ଏ ରୂପେ ମନରେ ପାଞ୍ଚି ହେଲା ଗାଲେ ମାରି

ଅମୃତ ଭୁଞ୍ଜଇ ବସି ପ୍ରଭୁ ଚିନ୍ତି କରି ।

ଗରୁଡ଼ ପାଞ୍ଚଣିଯାକ ନୃସିଂହ ଜାଣିଲେ

ନିତ୍ୟ ଅମୃତ ତୁମ୍ଭଙ୍କୁ ମିଳିବ ବୋଇଲେ ।

ମହାଲକ୍ଷ୍ମୀ ଦେଉଥିବେ ସେ କାଳେ ତୁମ୍ଭଙ୍କୁ

ମନରେ ପାଞ୍ଚିବୁ ଯେତେବେଳେ ଭୁଞ୍ଜିବାକୁ ।

ପ୍ରଦ୍ୟୁମ୍ନ ହସ୍ତେ ଦେଲେ ସେ ତୋତେ ଦେଉଥିବ

ଏ ଆମ୍ଭର ଆଜ୍ଞା ଗୋଟି ସବୁକାଳେ ଥିବ ।

ନୃସିଂହ ଦେହେ ଗରୁଡ଼ ମନ ଯାଇ ଥିଲା

ନୃସିଂହ ବର ଦିଅନ୍ତେ ହୃଦରେ ଜାଣିଲା ।

ସବୁରି ମନକୁ ଚିହ୍ନି ପାରନ୍ତି ଶ୍ରୀହରି

ଶୁଣନ୍ତି ନାରଦ କହୁଛନ୍ତି ମୁଖଚାରି ।

ସୁଜାଣ ମନ୍ତ୍ରୀ ଆଦି ଯେ ଗଲେ ଆଜ୍ଞା ପାଇ

ଗୃହେ ବିଜେକଲେ ଶ୍ରୀନୃସିଂହ ବେନିଭାଇ ।

ମଣୋହିମାନ ସାରିଣ ମୁଖ ପଖାଳିଲେ

କର୍ପୂର ଭୁଞ୍ଜି ପଲ୍ୟଙ୍କେ ଯାଇ ବିଜେକଲେ ।

ଏଥୁ ଅନନ୍ତରେ ରାତ୍ରି ହୁଅନ୍ତେ ପ୍ରବେଶ

ବିଜେକଲେ ଲକ୍ଷ୍ମୀପୁରେ କମଳା ବିଳାସ ।

ସେବାରେ ଲାଗିଲେ ଆସି ନାୟିକା ସରବେ

ଈଳାଠାକୁରାଣୀପୁରେ ବିଜେ ଶେଷଦେବ ।

ଲକ୍ଷ୍ମୀଙ୍କି ଘେନିଣ ନିଦ୍ରାଗଲେ ନାରାୟଣ

ବିପ୍ର ପୀତାମ୍ବର ଦାସ ସେ ପାଦେ ଶରଣ ।

ଧନ୍ୟ ଏ ପରମ ଲକ୍ଷ୍ମୀ ଧନ୍ୟ ଏ ନୃସିଂହ

ଏ ରୂପେ ସ୍ତୁତି କରନ୍ତି ଦେବେ ବସି ସ୍ଵର୍ଗ ।

ବୋଲନ୍ତି ସେ ଧନ୍ୟ ଧନ୍ୟ ଏ ବଲ୍ଲଭ ରାୟେ

ତାଙ୍କ ପରି ଭଗବତୀ ଅଯୋନି ଜନ୍ମାଏ ।

ପୂର୍ବରେ ଏ ତପ କରିଥିଲେ ବେନିପ୍ରାଣୀ

ପାଇଛନ୍ତି ପୁତ୍ରବଧୂ ବିଷ୍ଣୁ କମଳିନୀ ।

ଯେତେ ଉପଦ୍ରବ ପଡ଼େ ସଂସାରରେ ଆସି

ନୃସିଂହ ବ୍ୟତୀତ ତାହା ପାରନ୍ତା କେ ନାଶି ।

ଯେବଣ ମୂର ଅସୁର ଜାତ ଦୈତ୍ୟକୁଳେ

ରାଜା ହୋଇଛି ବ୍ରହ୍ମାଣ୍ଡଯାକେ ତପବଳେ ।

ତିନିପୁରେ କେ ତା ଭାରା ନ ପାରନ୍ତେ ସହି

ତେଣୁ ସେହି ମହାପ୍ରଭୁ ଜାତ ଆସି ମହୀ ।

ମାନବ ରୂପରେ ଆସି କରନ୍ତି ବିହାର

ଦୀନଦୁଃଖୀ ବାନ୍ଧବ ସେ କମଳାଙ୍କ ବର ।

ବୁଝିଲେ ମାନବ ଦେହେ ସବୁ ଭୋଗ ଭୁଞ୍ଜି

ଆନ ଜୀବ ବେଭାରେ କେ ଆଣି ଭୁଞ୍ଜି ମାଞ୍ଜି ।

ତେଣୁ ସେ ମାନବ ଦେହ ବହିଲେ ନୃସିଂହ

ମାନବ ଦେହୁ କେ ବଳି ନାହିଁ ତିନିସ୍ଵର୍ଗ ।

ମାନବ ଦେହେ ଭୋଗାଦି ଅମୃତ ସମାନ

ଆବର ଜୀବ ବିହାର ଅଟେ ପଶୁଜନ୍ମ ।

ସଂସାରେ ମାନବ ଦେହୁଁ ନାହିଁ ବଳ କେହି

ଆବର ଜୀବ ଦେହକୁ ଅସାର୍ଥକ କହି ।

ଦୁର୍ଲ୍ଲଭ ଦେହ ବୋଲିଣ ପାଞ୍ଚି ନାରାୟଣ

ମାନବ ଦେହେ ପ୍ରକାଶ ଆସି ହୋନ୍ତି ପୂଣ ।

ଏ ରୂପେ ପାଞ୍ଚନ୍ତି ସ୍ଵର୍ଗେ ବସି ଦେବତାଏ

ଶୁଣ ହେ ନାରଦ ମୁନି କହନ୍ତି ଧାତାଏ ।

ଏଥୁ ଅନ୍ତେ କନକାବତୀ ନଗରରେ

କଣ୍ଠ ବିକଣ୍ଠ ଏ ବେନି ମରନ୍ତେ ଯୁଦ୍ଧରେ ।

ଆନନ୍ଦ ବନରେ ବେନି ଦୂତଥିଲେ ଲୁଚି

ଖବର ଘେନି ବହନ ଗଲେ ତହୁ ଘୁଞ୍ଜି ।

କନକାବତୀ ନଗରେ ପ୍ରବେଶିଲେ ଯାଇଁ

ଦେଖିଲେ ସଭାରେ ବସିଅଛି ଦୈତ୍ୟସାଇଁ ।

ସଙ୍ଗଣେ ମନ୍ତ୍ରୀଙ୍କି ଘେନି କରଇ ବିଚାର

କିମ୍ପା ନ ଫେରିଲେ କଣ୍ଠ ବିକଣ୍ଠ ଯେ ମୋର ।

ଗଲେଣି ତ ସାତଦିନ ହେଲା ଯୁଦ୍ଧଠାକୁ

ସଂସାରେ କେ ନ ଦିଶଇ ତାଙ୍କୁ ଜିଣିବାକୁ ।

ମୋହର ସମାନ ସେହି ଦୁହେଁ କ୍ଷତ୍ରିବର

ଦିଗବିଜେ କାଳୁ ଆଣି ରଖିଥିଲି ଘର ।

ପ୍ଲକ୍ଷଦ୍ଵୀପ ରାଜା ତ୍ରିମୁଣ୍ଡାର ପୁତ୍ର ବେନି

ବଲ୍ଲଭପୁତ୍ରଙ୍କୁ ଏକା ପାରିବ ସେ ଜିଣି ।

ବୁଝିଲେ ଯୁଦ୍ଧକୁ ନେଇଅଛି ଯେତେ ସ୍ତିରୀ

ଦେଖିବ ପୁରୁଷେକ କମେ ହୋଇବ ଯେଘାରି ।

ବଲ୍ଲଭପୁତ୍ରେ ଯେ ଦେଖି ହେବେ ଅଶକତ

ଘେନିବେ ପ୍ରାଣ ତାଙ୍କର ତ୍ରିମୁଣ୍ଡାର ସୁତ ।

ଶ୍ରୀନୃସିଂହ ବେନିଭାଇ ମରିବା ପର୍ଯ୍ୟନ୍ତେ

ମନମଥ ବାରଣ ତ ନୁହେଁ କଦାଚିତେ ।

ଏ ରୂପେ ସେ ରାଜା ମନ୍ତ୍ରୀ ହ୍ଵନ୍ତେ କଥା ଧୀରେ

ବଦ୍ରିକାରୁ ଆସି ଦୂତେ ମିଳିଲେ ଛାମୁରେ ।

ରାଜାଙ୍କ ସଙ୍ଗତେ ବସିଥିଲେ ମନ୍ତ୍ରୀବର

ଦୂତଙ୍କୁ ବୋଇଲେ ତୁମ୍ଭେ କେଉଁ ଦେଶ ଚାର ।

ଶୁଣିଣ ସେ ଚାର ବେନି ଶୁତି ପାୟେ ପଡ଼ି

ଉଭା ହୋଇ କହନ୍ତି ଯେ ବେନିକର ଯୋଡ଼ି ।

ବୋଲନ୍ତି ଆସିଲୁ ଆମ୍ଭେ ବଦ୍ରିକାରୁ ଜାଣ

ସେଠା କଥା ପଦେ ରାଜା କହୁଅଛୁ ଶୁଣ ।

କଣ୍ଠ ବିକଣ୍ଠ ନୃସିଂହ ହାତେ ପ୍ରାଣ ଦେଲେ

ଯୁଦ୍ଧକୁ ଯିବା ସମସ୍ତ ସ୍ତିରୀ କ୍ଷୟ ଗଲେ ।

ହୋଇଲା ସପତଦିନ ଯାଏ ମହାରଣ

ଗରୁଡ଼କୁ ଘେନି ମାଇଲେକ ନାରାୟଣ ।

ଦୂତଙ୍କ ମୁଖୁ ଏମନ୍ତ ବାକ୍ୟ ରାଜା ଶୁଣି

ବସିବା ଠାବରେ ଢଳି ପଡ଼ିଲା ନୃପଣି ।

ମୋହେ ଭୂମିରେ ପଡ଼ି ସେ ହୋଏ ଛଟପଟ

ସ୍ତମ୍ଭକୁ ଆଉଜି ବସି ଚାହେଁ ମଟ ମଟ ।

ସଞ୍ଚାଣ ପକ୍ଷୀ ପରାୟ ନୟନ ତରାଟି

ଅନାଇଁ ସେ ଚଉଦିଗେ ଚାହେଁ ମିଟିମିଟି ।

ରହିଲା ସେ ଅଧୋମୁଖେ ନିର୍ଜୀବ ଯେ ହୋଇ

ଲୋତକର ଧାରା ଗଳି ନେତ୍ରୁ ଯାଏ ବହି ।

ପିଣ୍ଡରୁ ତା ଆତ୍ମା ଗଲା ପ୍ରାୟ କରେ ମନ

ହୃଦରେ କୁନ୍ଥାଇ ହୋଇ କରଇ ରୋଦନ ।

ବୋଇଲାକ ଅନ୍ଧକାର ଦିଶିଲାକ ପୃଥ୍ଵୀ

ଦେଖ ଦେଖ ମଲେ ମୋର ସର୍ବ ସେନାପତି ।

ସତର ଲକ୍ଷ ଯେ ପୁତ୍ର ନବଲକ୍ଷ ନାତି

ଏହାଙ୍କୁ ଥିଲା ପଶୋରି ନ କରିଣ ଭୀତି ।

ହେ ସୁବିଜ୍ଞ ମନ୍ତ୍ରୀବର କରିବା କି କହ

ଜୀବନ ଗଲା ପରାୟେ ଲାଗୁଛି ମୋ ଦେହ ।

ପୃଥ୍ଵୀରେ ମୁଁ ପ୍ରଭୁ ହୋଇ ହଜାଇଲ ବୁଦ୍ଧି

କି କରିବି କହ ଏବେ ମଲେ ତେଡ଼େ ଯୋଧି ।

ଭଲା ଅଟନ୍ତି ସେ କୃଷ୍ଣବଲ୍ଲଭର ପୋଏ

ଯାବତ ସେନାଙ୍କୁ ମୋର ସେହୁକଲେ କ୍ଷୟେ ।

କଣ୍ଠ ବିକଣ୍ଠ ପରାୟେ ରଥୀ ଦେଲେ ମାରି

ବଦ୍ରିକା ପଲ୍ଲୀରେ ରହିଛନ୍ତ ଗଡ଼ କରି ।

ଯାହା କହିଥିଲେ ମୋତେ ନାରଦ ଦେବର୍ଷି

ସେ କଥା ଫଳିଲା ପ୍ରାୟ ଦିଶିଲାକ ଆସି ।

ପୂର୍ବରେ ଈଶ୍ଵର ଯାହା କହିଥିଲେ ମୋତେ

ବୋଇଲେ ମରିବୁ ମୃରାସୁର ବିଷ୍ଣୁ ହାତେ

ଆବର ଯେଉଁ କାଳରେ ହେଲି ମୁଁ ନୃମଣି

ବାନ୍ଧିଲି କନାକାବତୀ ନଗ୍ରେ ଶାଢ଼ୀ ଆଣି ।

ରାଜା ହୋଇ କରି ବସିଥିଲି ଯେତେବେଳେ

ଧାତା କହିଲେ ମାରିବେ ତୋତେ ଆଦିମୂଳେ ।

ଏ ତିନି ମୂର୍ତ୍ତିଙ୍କ କଥା ଫଳିଲାଟି ଏବେ

ବ୍ରାହ୍ମଣକୁଳେ ଜନ୍ମିଲେ ଆସି ବାସୁଦେବେ ।

ତଥାପି ଜାଣନ୍ତି ଯେବେ ହରି ବୋଲି ମୁହିଁ

ନୃସିଂହ ହାତରେ ମଲେ ଯାନ୍ତିମୋକ୍ଷହୋଇ ।

କ୍ଷତ୍ରୀ ହେଲେ ନୁହନ୍ତା ତ ମୋତେ ଲୋକଲଜ୍ଜା

ଏ ରୂପେ ସନ୍ତାପୀ ହୋଇ ବୋଲେ ଦୈତ୍ୟରାଜା।

ସଭାମଧ୍ୟେ ପାତ୍ର ମନ୍ତ୍ରୀ ଥିଲେ ବସି ଯେତେ

ରାଜାର ସନ୍ତାପ ଦେଖି ବୋଧନ୍ତି ସମସ୍ତେ ।

ସୁବିଜ୍ଞ ମନ୍ତ୍ରୀ ବୋଲେ ହୋ ଶୁଣ ଦୈତ୍ୟରାଜ

ବ୍ରହ୍ମାଙ୍କ ପୁତ୍ର ହୋଇ ତୁ ହୋଇଲୁ ଅଧୈର୍ଯ୍ୟ ।

ମରିବା ଲୋକଙ୍କୁ କିମ୍ପା ବସୁ କୋଳ କରି

ସଂସାରେ ଜନ୍ମି ଅଛନ୍ତି ଦେହ ଯେତେଧରି ।

କେହି ଆଜି ମରୁଅଛି କେହି କାଲି ଜାଣ

ସବୁକାଳେ ରହିବ କି ଜୀବଙ୍କର ପ୍ରାଣ ।

ବୁଝିଲେ ତ ଆଜିକାଲି ସବୁକାଳେ ଅଛି

ଜନ୍ମିଲେ ମରିଣ ପ୍ରାଣୀ ଲେଉଟି ଜନ୍ମୁଛି ।

ତୋ ଠାରୁ ସଂସାରେ ବଡ଼ ହୋଇ କେତେ ଥିଲେ

ସେମାନେ ଏ ପୃଥ୍ଵୀ ଛାଡ଼ି ମରି ଚାଲିଗଲେ ।

ମରିବା ଲୋକକୁ କିମ୍ପା କାନ୍ଦୁଛ ବାହୁନି

ବ୍ରହ୍ମାଙ୍କଠାରୁ କେ ବଡ଼ ନାହିଁ ପୁର ତିନି ।

ପ୍ରଳୟ ହୋଇଲେ ସେହି ପୁଣି ଯାନ୍ତି ମରି

ସେ ମଲେ କାନ୍ଦୁଛି କିଏ ପିଣ୍ଡକୁ ଆବୋରି ।

ଯେହୁ ମରଇ ପ୍ରଳୟ ବୋଲି ତାକୁ ଘେନି

ନ ଜାଣିବା ଲୋକ ଏକା କାନ୍ଦେ ଦିନବଞ୍ଚି ।

ଆପେ ଜୀଇଥିଲେ ସବୁ ଏ ସଂସାରେ ଅଛି

ନ ଜାଣିବା ଲୋକଏକା କାନ୍ଦେ ଦିନ ବଞ୍ଚି ।

ନେତ୍ରରୁ ଲୁହ ପକାନ୍ତି ଜାଣ ଯେତେ ପ୍ରାଣୀ

ତେତିକି ଆୟୁ ତାହାର ତୁଟେ ସେହିକ୍ଷଣି ।

ଜୀବ ତ ଜନମି ଅଛି ମରିବାର ପାଇଁ

କାନ୍ଦୁଛି କିମ୍ପା ରାଜା ତୁ ଏଡ଼େ ବିଜ୍ଞ ହୋଇ ।

ମଲା କଥା ତ ଆଶ୍ଚର୍ଯ୍ୟ ନୁହେଁ କେବେ ଜାଣ

ଶରୀରର ମୃତ୍ୟୁ କଥା କହିବା ହୋ ଶୁଣ ।

ଦେହ ଲାଗେ ଆସି ଯେହ୍ନେ ଏ ମରଣ ବାଣୀ

ସେ କଥା ତୁ ସାବଧାନେ ଶୁଣ ନୃପମଣି ।

ସେ ଜନକୁ ସର୍ବେ ନିନ୍ଦା କରନ୍ତି ଟି ଜାଣ

ସେ ନିନ୍ଦା ପ୍ରାଣୀକି ଅଟେ ପ୍ରତ୍ୟକ୍ଷ ମରଣ ।

ଦେବା ଦୟା ଧର୍ମ ଯେତେ ଏ ସଂସାରେ ଅଛି

ତାହା ଯେ ନକରେ ତାକୁ ମରଣରେ ଗଚ୍ଛି ।

ଦେବତା ବିପ୍ର ଗୁରୁ ନ ସେବେ ଯେହୁ ଦେଖି

ସେ ଲୋକମାନଙ୍କୁ ଜାଣ ମୃତ୍ୟୁ ତୁଲେ ଲେଖି ।

ଅରଜି ସେହୁ ନ କରେ କୁଟୁମ୍ବ ପୋଷଣ

ଜୀବନ ଥାଉଁ ଥାଉଁ ସେ ମଲା ବୋଲି ଜାଣ ।

ଆପଣା ପତ୍ନୀ ଥାଉଁ ଯେ ରମେ ପରସ୍ତିରୀ

ମରଣ ସମାନେ ସେହି ନରେ ନିନ୍ଦାକରି ।

ପଦାର୍ଥ ଅର୍ଜି ପାଷାଣ ପ୍ରାୟେ ସେହୁ ସଞ୍ଚେ

ନ ପିନ୍ଧି ନ ଖାଇ ଦାରିଦ୍ରରେ ଦିନେ ବଞ୍ଚେ ।

ତାହାକୁ ଯେ ମୃତଶବ ଶଙ୍ଗେ ସରି କରି

ଆବର କହୁଛୁଁ ଶୁଣ ଆହେ ଦଣ୍ଡଧାରୀ ।

ଯେହୁ ଜାଣ ତୀର୍ଥବ୍ରତ ଦାନ ପୁଣ୍ୟ ନିନ୍ଦେ

ସେ ମଲା ବୋଲି ଘେନନ୍ତି ତାକୁ ଜନପଦେ ।

ଯେହୁ ଜାଣ ସଭାରେଟି କହେ ପକ୍ଷକରି

ତାହାର ଜୀବନ ଥିବା ମୃତ୍ୟୁ ସଙ୍ଗେ ସରି ।

ପରର ଘରେ ପଶନ୍ତି ଯାଇ ସେହୁ ଗୋତ୍ରୀ

ମରଣର ତୁଲେ ଲେଖି ତାର ପୋଷାବୃତ୍ତି ।

ସଭାରେ ଧର୍ମନ୍ୟାୟ ନ କରେ ଯେହୁ ଜାଣ

ମରଣ ତୁଲେ ଯେ ଲେଖି ତାର ବଡ଼ପଣ ।

ଗୁହାରି କରନ୍ତେ ଯେ ନ କରେ ବୁଝାମଣା

ସେ ଲୋକର ବଡ଼ପଣ ମୃତ୍ୟୁ ତୁଲେ ଗଣା ।

ନ ପୋଷେ ପିତାମାତାଙ୍କୁ ଯେଉଁ ପୁତ୍ର ଜାଣ

ସେ ପୁତ୍ରର ଦେହ ଗୋଟି ମୃତ୍ୟୁ ତୁଲେ ଗଣ ।

ମାନବ ହୋଇ ପୁରାଣ ଶାସ୍ତ୍ର ଯେହୁ ନିନ୍ଦେ

କେବଳ ସେ ନରଦେହ ଲେଖି ମୃତ୍ୟୁ ପଦେ ।

ନ ମାନି ଯେ ବଡ଼ସାନ ଘେନି ନମସ୍କାର

ତାହାରହିଁ ମୃତ୍ୟୁ ଜାଣ ଘୋଟଇ ତତ୍ପର ।

ବିପତ୍ତି କାଳରେ ଯେହୁ ଧୈର୍ଯ୍ୟ ନୋହେ ଜାଣ

ତାହାର ଦେହଟି ଜାଣ ଅଟେ ଅଧା ପ୍ରାଣ ।

ତୁମ୍ଭେ ତ ବ୍ରାହ୍ମଣ ପୁତ୍ର ବଳେ ବଳୀୟାର

ମଲା ଲୋକଙ୍କ ନିମନ୍ତେ କିମ୍ପା ଶୋକ କର ।

ଆପଣ ତ ଜୀଇ ଥିଲେ ସବୁ କଥା ଅଛି

ଯେ ମଲା ସେ ଗଲା ଅଧଇର୍ଯ୍ୟ ନୁହେଁ କିଛି ।

ଦେହ ଧଇଲେ ଦେବତା ହେଲେ ଜାଣ ମରି

କେ କାହାର ବନ୍ଧୁ କେ କାହାର ବଇରୀ ।

କେ କାହାର ଶତ୍ରୁ ଅଟେ କେ କାହାର ମିତ୍ର

କେ କାହାର ଭାଇ ଅଟେ କେ କାହାର ଗୋତ୍ର ।

କେ କାହାର ପୁତ୍ର ଅଟେ କେ କାହାର ନାତି

ଦେହ ଧଇଲେ ସମସ୍ତେ ମରି ସଢ଼ିଯାନ୍ତି ।

ତୁ ନୋହୁ ମୋକ କିଛି ମୁଁ ତୋର ନୁହେଁ କିଛି

ଦେହ ଥିବାଯାକେ କେ ନ ପାରେ ମାତ୍ର ମୂର୍ଚ୍ଛ ।

ବୁଝିଲେ ସଂସାର ପତ୍ନୀଠାରୁ ସ୍ନେହ ନାହିଁ

ସେହି ପୁଣି ମରିଗଲେ ପାଶୋରି ପକାଇ ।

ମରନ୍ତି କେ ଆଜି କାଲି କେହି କ୍ଷଣେ ଦଣ୍ଡେ

ଚିର ହୋଇ କେହି ରହି ନାହାନ୍ତି ବ୍ରହ୍ମାଣ୍ଡେ ।

ଧନ ନୋହେ ଚିର ଏ ଜୀବନ ନୋହେ ଚିର

ଆୟୁଷକୁ ଚିରି କରି ରଖିବ କେ ନର ।

ସବୁରି ମୁଣ୍ଡରେ ଜାଣ ମୃତ୍ୟୁ ଅଛି ବସି

ଅନବରତେ ଆୟୁଷ କ୍ଷୟ କରେ ଗ୍ରାସି ।

ଏ କଥାଟି ପ୍ରାଣୀମାନେ ନ ପାରନ୍ତି ଚିହ୍ନି

ଡାକନ୍ତି ଜନମ ହେଲେ ଲୋକେ ନନା ନାନୀ ।

କେ ଅନ୍ନ ଭୁଞ୍ଜୁ ଭୁଞ୍ଜୁ କେ ହାଇ ମାରୁ ମାରୁ

କେହି ଝୁଣ୍ଟିପଡ଼ି ମରେ ନିର୍ବଳ ହେବାରୁ ।

ମରନ୍ତି କେ ହଣାହଣି ହୋଇ ଶସ୍ତ୍ରଘାତେ

କେ ଅବା ମରନ୍ତି ପଡ଼ି ହୋଇ ରୋଗଗ୍ରସ୍ତେ ।

ଏ ରୂପେ ମାଡ଼ି ବସିଛି ମୃତ୍ୟୁ ସବୁ ମୁଣ୍ଡେ

ଏକଥା ନ ଚିହ୍ନି ଭୋଳା ହୋନ୍ତି ପ୍ରାଣୀ ପିଣ୍ଡେ ।

ତୁହି ତ ଦଇତ୍ୟ ରାଜା ସବୁ କଥା ଜାଣୁ

ଜାଣୁ ଜାଣୁ କାହିଁକି ତୁ ଶୋକ ମନେ ଆଣୁ ।

ବଲ୍ଲଭପୁତ୍ର ନୁହନ୍ତି ବିଷ୍ଣୁ ହେବେ ଜାଣ

ଆନ ଛାର ବସନ୍ତା କେ ଗରୁଡ଼ ପରେଣ ।

ସତରଲକ୍ଷ କୁମର ନବଲକ୍ଷ ନାତି

ଦେଖୁଛ ମାଇଲେ ଆଦ୍ୟ ହୋଇ ଗୁରୁମୂର୍ତ୍ତି ।

ସେନାକୁ ସେହିଠାବକୁ ତୁ ପେଶୁ ପରା ରଣେ

ଯାଇଣ ବାହୁଡ଼ି କେହୁ ନ ଆସନ୍ତି ଜଣେ ।

ତୁ ଏବେ ଡରି ରହିଲେ ହେବ ଆଉ କିସ

ନାଶିଲେ ତୋର ବଂଶକୁ ଏବେ ତାଙ୍କୁ ନାଶ ।

ଏ କଥାରେ ହେଲା ତୁ ନ କର ଆଉ ରାଜା

ସଭିଙ୍କର ମୃତ୍ୟୁ ବିହି କରିଛନ୍ତି ଖଞ୍ଜା ।

କେ ଆଗ କେ ପଛ ମରିବାର କଥା ସତ

ମରିବା ପର୍ଯ୍ୟନ୍ତ ଯେଝା ନ ଛାଡ଼ି ମହତ ।

ପ୍ରାଣକୁ ମୁରୁଛି ଥିବ ମହତ୍ଵକୁ ରଖି

ତେବେ ତାକୁ ବଡ଼ଲୋକ ବୋଲି ଜାଣ ସଖି ।

ଶୁଣି ସେନାମାନେ ବୋଇଲେ ଯେ ସତ ସତ

କଣ୍ଠ ବିକଣ୍ଠ ମଲେ କି ଗଲା କରାମତ ।

ବୁଝିଲେ ତ ଅଛୁ ଆମ୍ଭେ ଯେତେ ସେନାପତି

ଆମ୍ଭେ ଥାଉଁ ଥାଉଁ କିମ୍ପା କରୁଅଛ ଭୀତି ।

ପୁତ୍ରେ ମରନ୍ତେ ବୟସ ତୋର ତୁଟିଲା କି

ଶ୍ରୀକାମଦେବର ପ୍ରାୟ ଦିଶୁଛି ଅଧିକି ।

ଯହିଁରେ ତେତିଶକୋଟି ଛନ୍ତି ଭୁଆସୂଣୀ

ତହିଁରେ ମଦନାବତୀ ଅଟେ ପାଟରାଣୀ ।

ନବୀନ କିଶୋରୀ ସଂସାରର ମନୋହାରୀ

ଏ ରୂପେ ପ୍ରିୟା ଥାଉ ତୁ ବସୁ ଚିନ୍ତାକରି ।

ଲେଉଟି ପୁତ୍ର ଜନ୍ମିବେ ତୋର କେତେ ଆସି

ଶୁଣି ମୃରାସୁର ମନ ମଧ୍ୟେ ବଡ଼ ହସି ।

ବୋଇଲା ଏ ନାତି ଲେଖା ହେବେ ମୋର ଯେଣୁ

ତେଣୁ କହିଲେ ଏ ବାକ୍ୟମାନ ସମ୍ଭାଷଣୁ ।

ଆମ୍ଭେ ତ ବ୍ରହ୍ମାର ବୀର୍ଯ୍ୟୁ ହୋଇଛୁ ଜାତ

ମୋହର ସୈନ୍ୟ କଶ୍ୟପ ଋଷିଙ୍କର ସୁତ ।

କଶ୍ୟପ ଋଷି ମରୀଚି ଋଷିଙ୍କର ପୁଅ

ମରୀଚି ଋଷିର ବାପ ଅଟେ ପିତାମହ ।

ତେଣୁ ନାତିଲେଖା ମୋର ହେବାରୁ ଏଜାଣ

ଭରସି କରି କହନ୍ତି ମୋତେ ତିଆରିଣ ।

ଏ ରୂପେ ବୋଲି ବହୁତ ତାଙ୍କୁ ତିଆରିଲା

ଆସନେ ବସାଇ ପରସାଦ ଭୁଞ୍ଜାଇଲା ।

ବୋଇଲା ମୁଁ ତୁମ୍ଭ ଘେନି ଥିଲି ଯଶ କରି

ନୃସିଂହ ଲାଗି ମୁଁ ହେଲି ଏବେ ହତଶିରୀ ।

ଶୁଣିଣ ଉଠିଲେ ଅଷ୍ଟସେନା କୋପଭରେ

ମାରି ବାହାସ୍ଫୋଟ ଧନୁ ଧଇଲେକ କରେ ।

କେ ନିଶ ମୋଡ଼ଇ କେହୁ ଠୁଙ୍କେ ବାହୁବେନି

କେହୁ ବୁକୁ ଚମକାଇ ହଲାଏ ମୁର୍ଦ୍ଧନି ।

କେହି ଆଡ଼ ଚିରାମାରି ଗର୍ଜେ ଡେଇଁ ଡେଇଁ

କେହି ହାତ ତଳେ ପିଟି ପୃଥ୍ଵୀ ଚମକାଇ ।

କେହୁ ବୋଲି ପଡ଼ିବଣି ବଦ୍ରିକାରେ ହୁରି

ଯୁଦ୍ଧକୁ ଆସିଲେ ଅଷ୍ଟସେନା ବୋଲିକରି ।

ଶୁଣିଣ ସେ ମୃରାସୁର ହେଲା ବଡ଼ ତୋଷ

ବୋଇଲା ଶତ୍ରୁକୁ ମୋର ଯାଇ ବେଗେ ନାଶ ।

ଶୁଣିଣ ସେ ବୃକାସୁର ଉଠି ସେହି ଲାଗେ

ଅଷ୍ଟସେନା ଘେନି ବାହାରିଲା ଅତି ବେଗେ ।

ସେ ଅଷ୍ଟ ସେନାପତିଙ୍କ ନାମ ଥାଅ ଶୁଣି

ପ୍ରଥମରେ ବୃକାସୁର ହେଲା ଆଗୁଆଣି ।

ଆବର ଆଲୋପୀ ବୀରବାହୁ ରଣକେଶୀ

ସୁଲୋପୀ ମଦନାବଳି ଲୋହଶିରା ମିଶି ।

କୃତକେଶିକି ଘେନି ଏ ରୂପେ ଅଷ୍ଟସେନା

ଜଣକେ ସେ ପଦ୍ମେ ସୈନ୍ୟ ଧରି ଯାତୁଧାନା

ତିନିଦିନେ ମିଳିଲେକ ଯାଇ ବଦ୍ରିକାରେ

ଆନନ୍ଦବନରେ ବସା କଲେ ଦୈତ୍ୟବୀରେ ।

ଦେଖିଲେ ସେ ବନଯାକ ଦିଶଇ ଶୋଭନ

ଦ୍ଵିତୀୟ ବୈକୁଣ୍ଠ ପ୍ରାୟ ପ୍ରକାଶେ ସେ ସ୍ଥାନ ।

ଅସୁର ଦେଖି ତାହାକୁ ବହୁ ପ୍ରଶଂସିଲେ

ପ୍ରଶଂସା କରିଣ ପୁଣି ମନେ ଶଙ୍କା କଲେ

ବୋଲନ୍ତି ବାନ୍ଧିଛି କେଡ଼େ ଗଡ଼ ନରସିଂହ

ଆମ୍ଭେ ତ ଦେଖି ଏହା ନ ଥିଲୁଁ ତିନିସ୍ଵର୍ଗ ।

ଏ ରୂପେ ବୋଲି ଆନନ୍ଦ ବନେ ଦୈତ୍ୟଯାଇଁ

ଗଡ଼ରେ ପଶି ନ ପାରି ରହିଲେକ ତହିଁ ।

ବଦୟନ୍ତି ବେଦବ୍ରହ୍ମା ଶୁଣ ହେ ନାରଦ

ନୃସିଂହ ପୁରାଣ ଏହି ଅଟେ ମୋକ୍ଷପ୍ରଦ ।

ଚତୁର୍ଥ ରତ୍ନାକର ଏହି ଅଟେ ଗ୍ରନ୍ଥ ରସ

ସମ୍ପୂର୍ଣ୍ଣେ ଶୁଣିଲେ ଏହା ଖଣ୍ଡଇ ଯେ କ୍ଲେଶ ।

ଦେବଙ୍କୁ କ୍ଲେଶୁ ରଖନ୍ତି ଯେହ୍ନେ ଚକ୍ରପାଣି

ଶୁଣିଲେ ତରିବେ ସେହିରୂପେ ସର୍ବପ୍ରାଣୀ ।

ଅନୁକୂଳେ ଶ୍ରୀନୃସିଂହ ନାମ ଅଟେ ମୂଳ

ନିମିଷେ ଭାବିଲେ ପାଇ କୋଟି ତୀର୍ଥ ଫଳ ।

ଶ୍ରୀସତ୍ୟଯୁଗ ଗ୍ରନ୍ଥ ଏ ଅଟଇ ପୁରାଣ

ଏ ଗ୍ରନ୍ଥ ଉତ୍ତାରେ ହେଲା ଯାବତ ବଖାଣ ।

ମଧୁକଇଟଭ ମୁର ଦାରୁଣ ଶମ୍ବର

ଏ ଦୈତ୍ୟମାନେ ଜନ୍ମିଲେ ଆଦ୍ୟ ଅବତାର ।

ଶାରଦା ମାତାର ଆଜ୍ଞା ହେଲା ଜାଣ ମୋତେ

ତେଣୁ ଏହି ପୁରାଣକୁ ଲେଖଇ ପ୍ରାକୃତେ ।

ସାରଦା ଲକ୍ଷ୍ମୀର ପାଦପଦ୍ମେ ସେବା ମୋର

ଏ ଭବ ସାଗରୁ ମୋତେ ତାରିବେ ଶ୍ରୀଧର ।

ଯାହାର ନାମ ଧରନ୍ତେ ତୁଟେ ରୋଗ ବ୍ୟାଧି

ଯାହାର ନାମ ଧରନ୍ତେ ତୁଟେ ମାୟାବନ୍ଦୀ ।

ଯାହାର ନାମ ଧରନ୍ତେ ତୁଟେ ମନଭ୍ରାନ୍ତି

ଯା ନାମ ଧରନ୍ତେ ଖଣ୍ଡେ ସକଳ ବିପତ୍ତି ।

ଯାହାର ନାମ ଧରନ୍ତେ ଲକ୍ଷ୍ମୀ ପରାପତ

ଯାହାର ନାମ ଧରନ୍ତେ ଆୟୁଷ ବର୍ଦ୍ଧିତ ।

ଯାହାର ନାମ ଧରନ୍ତେ ଋଷି ତପଶାଳୀ

ମାନବ ଜନ୍ମେ ହେବ କି ମୁହିଁ ତେଡ଼େ ଭଳି ।

ହେ ସାଧୁଜନେ ମାୟାରୁ ମୋତେ ତାରି ରଖ

ମାୟାଲାଗି ଭଜି ମୁଁ ନ ପାରେ ପଦ୍ମମୁଖ ।

ଯାବତ କାୟା ତାବତ ମାୟା ଜାଣଘୋଟେ

ତାବତ ମାୟାରୁ ଭଜି ନ ପାରେ ମୁଁ ଆଣ୍ଟେ ।

ସ୍ଵପନରେ ଆଜ୍ଞା ମୋତେ ଦେଲେ ଠାକୁରାଣୀ

ବୋଇଲେ ମାୟାକୁ ତୁ ରେ ଡରୁଛୁ କି ପୁଣି ।

ଦେହକୁ ଧରି ଜନ୍ମନ୍ତି ଜାଣୁ ଯେତେ ନରେ

ମାୟାକୁ ଛାଡ଼ି ନାହାନ୍ତି କେହି ଏ ସଂସାରେ ।

ଦଇବୀ ମାୟାକୁ ତୁହି ଯେବେ ଏତେ ଡରୁ

କର ଏ ନୃସିଂହ ଗ୍ରନ୍ଥ ତରିବୁ ସଂସାରୁ ।

ଶ୍ରୀ ନୃସିଂହ ଅବତାର ଅଟେ ଆଦି ଜନ୍ମ

ଏ ନୃସିଂହ ଅଂଶୁ ଜନ୍ମି ମାରିବେ ହିରଣ୍ୟ ।

ହେବେ ଏହି ନୃସିଂହଟି ଦଶ ଅବତାର

ଜନମିଣ ବାରେ ବାରେ ମାରିବେ ଅସୁର ।

ତରିବା ନିମନ୍ତେ କହିଦେଲେ ମୁକ୍ତିବାଟ

ବ୍ୟାସ ଋଷିଙ୍କ କୃତ ଏ ସଂସାରରେ ପାଠ ।

ହେ ସାଧୁ ସୁଜ୍ଞଜନେ ନ ଧର ମୋର ଦୋଷ

ବିପ୍ର ପୀତାମ୍ବର ମୁହିଁ ବାଲୁଙ୍କେଶ ଶିଷ୍ୟ ।

ବୃକାସୁର ଆଦି ଅଷ୍ଟସେନାପତିଙ୍କର ଯୁଦ୍ଧ ଓ ମୃତ୍ୟୁ

ନୃସିଂହ ପୁରାଣ ବାଣୀ କହିବା ହୋ ଶୁଣ

ପଡ଼ନ୍ତେ ମୁର ଅଷ୍ଟସେନା ତୋଟାରେଣ ।

ପ୍ରଭୁ ମନ୍ତ୍ରୀକି କହିଲେ ସୈନ୍ୟ ସଜ କର

ଦୈତ୍ୟ ଲୋଚା ଏକ ପେଷିଅଛି ମୃରାସୁର

ଆଠପଦ୍ମ ସୈନ୍ୟ ପୁଣି ଅଛନ୍ତି ଯେ ଆସି

ପଦାକୁ ଗଲେ ବୁଝିବା ସିନା କଥା ବସି ।

ଶୁଣିଣ ସୁଜାଣ ମନ୍ତ୍ରୀ ସୈନ୍ୟକୁ ଡାକନ୍ତେ

ନୃସିଂହ ଛାମୁରେ ଆସି ମିଳିଲେ ସମସ୍ତେ ।

କର୍ଣ୍ଣାଟେଶ୍ଵର ନୃସିଂହଠାରୁ ଆଜ୍ଞା ପାଇ

ଆସଇ ଛାମୁକୁ ସେହି ନୂଆ ବେଶ ହୋଇ ।

ଶୁକ୍ଳ ସରୁ ଝୀନବାସ ଅଙ୍ଗେ ଅଛି ପିନ୍ଧି।

ତଥିପରେ ଉତ୍ତରୀୟ ହୋଇଅଛି ଛନ୍ଦି

ବାନ୍ଧି ଅଛନ୍ତି ମଥାରେ ସଚ୍ଚା ଜରିପାଗ

ସୁବର୍ଣ୍ଣ ମୁକୁଟ ପ୍ରଭା ଅତ୍ୟନ୍ତ ସରାଗ ।

ଲମ୍ବାଇ ଯେ ପାଟ୍ଟପୁଲି ମୁକ୍ତା କେରି କେରି

କପାଳେ ହରିମନ୍ଦିର ଚିତା ଦିଶେ ବାରି ।

କର୍ଣ୍ଣରେ କୁଣ୍ଡଳ ଦିଶେ ଗୁରୁ ଶୁକ୍ର ପ୍ରାୟେ

ତଥି ଉପରେ ଲମ୍ବଇ ମାଣିଜ୍ୟ କେରାଏ ।

ମୁକ୍ତା ହୀରା ନୀଳା ସ୍ୱର୍ଣ୍ଣ କଣ୍ଠି ମାଳ ମାଳ

ନକ୍ଷତ୍ର ପନ୍ତି ପରାୟେ ରାଜେ କଣ୍ଠ ତଳ ।

ସହସ୍ରଦଳ କମଳ ପ୍ରାୟ ହୃଦଗତେ

ପଦକ ଅଛି ପ୍ରତିମା ତହିଁ ଶତେ ଶତେ ।

ଆବର ଅଳଙ୍କାର ଯେ ନାନାବର୍ଣ୍ଣେ ଖଞ୍ଜା

ଭୂଷିତ ହୋଇଣ ଆସେ କର୍ଣ୍ଣାଟେଶ ରାଜା ।

କେତକୀ ଫୁଲରୁ ସେହୁ ପାଖୁଡ଼ା ଯେ କାଢ଼।

ମଥାରେ ଖଞ୍ଜିଛି ପିଠିଯାଏ ଅଠି ପଡ଼ି ।

ସୁବର୍ଣ୍ଣ ଘାଗୁଡ଼ି କଟିତଟେ ପୁଞ୍ଜା ପୁଞ୍ଜା

ବାହାରେ ବାହୁଟି ମୋଡ଼ା ଶିକୁଳୀ ଯେ ଖଞ୍ଜା ।

ଉଡ଼େ ଫରହର ଆଡ଼ ପଣନ୍ତର ଫେର

ବାଳ ଆଦିତ୍ୟ ପରାୟ ଦିଶେ ଜ୍ୟୋତି ତାର ।

ଅଙ୍ଗରେ ସରୁ ସୁଝୀନ ପତନୀ ଯେ ଭିଡ଼ି

ତା ଉପରେ ଅଷ୍ଟରତ୍ନ ମେଖାଳାଏ ପଡ଼ି ।

ଜାନୁର ଉପରେ ପୁଣି ଲମ୍ବେ ମୋତି ଝରା

ଚାହିଁବା ଲୋକା ଯେ ଦେଖି ହ୍ଵନ୍ତି ମନେ ତୋରା।

ଧନୁ ତୀର କମାଣ ଯେ ନାନା ଶସ୍ତ୍ର ଧରି

ନୃସିଂହ ଛାମୁରେ ଉଭା ହେଲା ଅପସରି ।

ଶ୍ରୀନୃସିଂହ ପ୍ରଭା ଦେଖି ହେଲେ ହସ ହସ

ବୋଇଲେ କର୍ଣ୍ଣାଟେଶ୍ଵର ହେଲେ ଆଚ୍ଛାବେଶ ।

ଏଥୁଅନ୍ତେ ସେ ସୁଜାଣ ନାମେ ମନ୍ତ୍ରୀବର

ସେ ମଧ୍ୟ ସୁବେଶ ହୋଇ ଅଇଲେ ଛାମୁର ।

ମଥାରେ ଅନେକ ପୁଷ୍ପ ଗୁନ୍ଥି ସେହି ଖଞ୍ଜି

ଗଳାରେ ମୁକୁତାମାଳ ଲମ୍ବେ ପୁଞ୍ଜି ପୁଞ୍ଜି ।

ଗୁରୁ ଶୁକ୍ର ପ୍ରାୟେ କର୍ଣ୍ଣେ କୁଣ୍ଡଳ ଯେ ଦିଶେ

ଶ୍ରୀହରି ମନ୍ଦିର ଚିତା ଲଲାଟେ ପ୍ରକାଶେ ।

ସୁରଙ୍ଗି ପାଟର ଚିତା ଦିବ୍ୟ ପରିଚ୍ଛଦ

ନାନାଦି ଅଳଙ୍କାରରେ ଭୂଷଣ ଯେ ହୃଦ ।

 

ଆବର ଯେ ଧନୁ ତୂଣ ଧରି ମନ୍ତ୍ରୀବର

ନୃସିଂହ ଛାମୁରେ ଆସି ଭେଟିଲା ତତ୍ପର ।

ଦେଖି ଶ୍ରୀନୃସିଂହ ପ୍ରଭୁ ବହୁ ଶ୍ରଦ୍ଧାହେଲେ

ଏଥି ଉତ୍ତାରେ ଗରୁଡ଼ ଆସି ବିଜେ କଲେ ।

ବଢ଼ାଇ ଶତେ ଯୋଜନ ଯାଏ କାୟା ଗୋଟି

ପଞ୍ଚାଶ ଯୋଜନ ଯାଏ ବିସ୍ତାର ତା ପିଠି ।

ତେପନ ଯୋଜନଯାଏ ବିସ୍ତାରିଛି ଡେଣା

ଆବର ତା କେଶମାନ ଅଟେ ଅକଳନା ।

ନାସାଗ୍ରୁ ହରିମନ୍ଦିର ଚିତା କେଶଯାଏ

ଶ୍ରବଣେ କୁଣ୍ଡଳେ ଦିଶେ ଗୁରୁ ଶୁକ୍ର ପ୍ରାୟେ ।

ଗଳାରେ ମୁକୁତାମାଳ ଲମ୍ବେ ପୁଞ୍ଜି ପୁଞ୍ଜି

ବେଣୀରେ ସୁବର୍ଣ୍ଣ ଝରା ଶତ ଶତ ଖଞ୍ଜି ।

କାନ୍ଧରେ ପଇତା ନବଗୁଣେ ଅଛି ପଡ଼ି

କଣ୍ଠରେ ଯେ ନବରତ୍ନ ଲମ୍ବେ ଯୋଡ଼ି ଯୋଡ଼ି ।

ଅଣ୍ଟାରେ ଶୋଭିତ ରଙ୍ଗ ପାଟଫୁଲି ଛନ୍ଦେ

ଓହଳି ପଡ଼ିଛି ପିଠିଯାକୁ ନାଗବନ୍ଧେ ।

ତାହାର ସୁଗନ୍ଧ ବୋଳା ଦାଢ଼ି ଦିଶେ କଳା

ଶୋଭଇ ବେନି ହସ୍ତରେ ହୀରା ବେନି ବଳା ।

ଦେହରେ ଯେ ଅଳଙ୍କାର ଦିଶେ ଝଟ ଝଟ

ତହିଁକି ଯେ ଶୋଭାବନ ସରୁ ରଙ୍ଗ ପାଟ ।

ଉପରେ ଖଞ୍ଜିଛି ଝୀନ ମଞ୍ଜି ଷ୍ଠାର ଶାଢ଼ୀ

ବସିଛି ସୁବର୍ଣ୍ଣ କାମମାନ ଧାଡ଼ି ଧାଡ଼ି ।

କଙ୍କଣ ତ ବେନିକରେ ବାଜେ ରୁଣୁ ଝୁଣ

ପାଦରେ ନୂପୁର ବେନି ଶୁଭେ ଝମ ଝମ ।

ଶିରରେ ସେ ମଣ୍ଡିଅଛି ଜବାପୁଷ୍ପ ଗଭା

ଉଦୟକାଳରେ ଯେହ୍ନେ ସୂର୍ଯ୍ୟ ଜ୍ୟୋତିପ୍ରଭା ।

ଜାନୁରେ ଘଣ୍ଟି ଘାଗୁଡ଼ି ଘଣ୍ଟା ଅଛି ବାନ୍ଧି

ଚଳିବା ଚଞ୍ଚଳ ନାଦେ ଉଛୁଳେ ସ୍ଵର୍ଣ୍ଣାଦି ।

ଚରଣ ତୋଡ଼ରେ ବାନ୍ଧି ଅଛି ମୋତି ଝରା

ତାହା ମଧ୍ୟେ ବିରାଜଇ ପଦ୍ମରାଗ ହୀରା ।

ପାଦ ଅଙ୍ଗୁଷ୍ଠିରୁ ଅଣ୍ଟାଠାରୁ କଣ୍ଠଯାଏ

ସୁବର୍ଣ୍ଣ ଘାଗୁଡ଼ି ଖଞ୍ଜି ଚାଲେ ପକ୍ଷୀରାୟେ ।

ନିଃଶ୍ଵାସ ପବନ ବାଜି ମୁଖ ନିଶ ହଲେ

ପହଣ୍ଡି ବିଜେ ପରାୟେ ଚାଲେ ଗେଲେ ଗେଲେ।

ପିଠିର ଉପରେ ପୁଣି ଲମ୍ବିଅଛି ବେଣୀ

ବାସୁକି ଶିରରେ ଯେହ୍ନେ ଶୋହେ ସପ୍ତଫେଣୀ ।

କର୍ଣ୍ଣରେ ମୁକୁତାମାଳି ଲମ୍ବେ କେରା କେରା

କପାଳେ ହୀରାପଦକ ଝମକାଇ ତୋରା ।

ମଞ୍ଜିଷ୍ଠା ପାଟର ଶାଢ଼ୀ ମାଲବନ୍ଧେ ଭିଡ଼ି

ଦୋଷଡ଼ା କରନ୍ତି ସରୁ ଝୀନ ପାଟଶାଢ଼ୀ ।

ହୀରା ଦର୍ପଣ ଗୋଟି ନେତ୍ର ଅଗ୍ରେ ଶୋହେ

ଚାହିଁବାମାତ୍ରେ ତା ଦେହ ଦିଶେ ଆଲୋମୟ ।

ଡେଣାକେ ଚିରାଳମାନ ଲମ୍ବେ ଶତେ ଶତେ

ଶୂନ୍ୟରେ ଷାଠିଏ ଯୁଣ ଉଡ଼େ ଅପ୍ରମିତେ ।

ତାମ୍ବୁଳ କର୍ପୂର ସହ ମରିଚ ଚୋବାଇ

ନିଶକୁ ସେ ମୋଡ଼ି ମୋଡ଼ି ଚାଲେ ଶ୍ରଦ୍ଧାବହି ।

ତ୍ରିଭଙ୍ଗି ଛନ୍ଦରେ ଉଭା ହୋଇ ଚାଲେ ଢଳି

ଶ୍ରୀହରିର ନାମ ପଢ଼ିମାରେ କରତାଳି ।

ଶ୍ରୀନୃସିଂହ ଦେଖି ତାହା ବହୁ ଶ୍ରଦ୍ଧା କଲେ

ଗରୁଡ଼ କଣ୍ଠେ ଅକ୍ଷୟମାଳା ନେଇ ଦେଲେ ।

ବୋଇଲେ ମୁହିଁ ତୋହର ଅଙ୍ଗେ ଗୁରୁଦେବ

ସଂସାର ଶୃଙ୍ଗ ମୁଣ୍ଡେ ତୋ ବିହାର ଏ ଧ୍ରୁବ ।

ସଂସାରେ ଶୃଙ୍ଗ ମୁଣ୍ଡେ ଯେ ମୁଦ୍ରା ଛନ୍ଦିଥାଇ

ସେ ମୁଦ୍ରା ଛିଡ଼ିଲା ଲୋକେ ନିଶ୍ଚେ ମୃତ୍ୟୁ ପାଇ।

ସେ ମୁଦ୍ରା ସ୍ଥାନେ ଯେହେତୁ ରଖିଥାଇ ନିତ୍ୟେ

ତାହାର ଦେହେ ରୋଗ ନପଶେ କଦାଚିତେ ।

ତ୍ରିକୂଟେ ତିନି ତିହୁଡ଼ି ଯେଉଁ ମୁଦ୍ରା ସ୍ଥାନ

ସେ ସ୍ଥାନ ଶିକୁଳିଛନ୍ଦେ ବିଜେ ଭଗବାନ ।

ସଂସାରେ ବାଳକ ବୃଦ୍ଧା ଯୁବା ଯେବେ ଥାଇ

ଶିକୁଳି ଛିଣ୍ଡା ଦିନ ନ ପାରେ ରଖି କେହି ।

ଶିକୁଳି ଅଷ୍ଟଉତ୍ତର ଯାଏ ମାଳା ଅଛି

ସବୁ ଖଞ୍ଜି ଦେଇଛନ୍ତି ପ୍ରଭୁ ଶିରୀବତ୍ସି ।

ଶିକୁଳି ମାଳରେ ଯେତେ ଯେହୁ ଆଣିଥାଇ

ତେତିକି ବରଷ ଭୋଗ କରି ମରିଯାଇ ।

ସେ ଶିକୁଳୀମାଳା ପୁରା ହୋଇ ଯାର ଥିବ

ଶତେକ ଉପରେ ଆଠ ବରଷ ଭୋଗିବ ।

ମୋହର ମନ ଗରୁଡ଼ ଏକା ସିନା ଜାଣେ

ସବୁରି ମନ କଥା ମୁଁ ଜାଣେ ତତକ୍ଷଣେ ।

ଏଣୁ ମୁଁ ସବୁରି ପରେ ଅଟେ ଭଗବତ

ଶ୍ରୀଭାଗବତଙ୍କ ଭାରା ବହନ୍ତି ପଣ୍ଡିତ ।

ମୁଁ ଯେବେ ନୃସିଂହ ରୂପ ହେବି ଆଜ ଜାଣ

ସବୁ ନୃସିଂହ ବସନ୍ତୁ ତୋର ପିଠିରେଣ ।

ଲକ୍ଷେ ନୃସିଂହ ପ୍ରକାଶି ହେବି ନିଜ ଦେହ

ତୁ ଲକ୍ଷେ ଗରୁଡ଼ ହୋଇ ନୃସିଂହକୁ ବହ ।

ଶୁଣି ଖଗେଶ୍ଵର ସେହି ଆଜ୍ଞା ପରମାଣେ

ଲକ୍ଷେକ ଗରୁଡ଼ ରୂପ ହେଲା ତତକ୍ଷଣ ।

ଦେଖିଣ ନୃସିଂହ ସ୍ଵାମୀ ଶ୍ରଦ୍ଧା ବହିଲେ

ଶ୍ରୀନୃସିଂହ ଲକ୍ଷେ ମୂର୍ତ୍ତି ଅଙ୍ଗୁ ଜାତକଲେ ।

ଶଙ୍ଖ ଚକ୍ର ଗଦା ପଦ୍ମ ଶ୍ରୀହସ୍ତରେ ଧରି

ଅଟନ୍ତି ନୃସିଂହ ରୂପ ସବୁ ଏକା ହରି ।

ସବୁରି କରେ କମାଣ ଧନୁ ତୀର ଶକ୍ତି

ପରିଘ ଖପର ଭୂଷା ଶୂଳ ଛୁରୀ କାତି ।

ବାମେ ଯମଦାଢ଼ ଯେ ଦକ୍ଷିଣେ ଖଣ୍ଡା ଫେରି

ଶୁଣହେ ନାରଦ କହୁଛନ୍ତି ମୁଖଚାରି ।

କୁବେରା ମେଘା ବରୁଣା ଶର ନଇର୍ଋତା

ପବନା ମୋହନା କାଳପାଶ ପରବତା ।

ଦହନା ଶୋଷଣା ଅଗ୍ନିଶର ଅସିବର

ବାବଲ ଯେ ମନଭେଦୀ ଆପବର ମୁଦଗର ।

ପାତାଳେ ଯେ ଦୁଗ୍ଧଭେଦୀ ମଞ୍ଚଭେଦୀ ମୁନା

ସ୍ତମ୍ଭନ ମୋହନ ବଶ୍ୟ ଗୋଟିକା ଅଙ୍ଗନା ।

ଶକତି କୁନ୍ତ ତ୍ରିମୁନା ଯଷ୍ଟି ଶୂଳ ଲେନ୍ଥି

ପିନାକ ଅକ୍ଷୟ ପାଶୁପତି ବ୍ରହ୍ମଶକ୍ତି ।

ଦୋକାନା ଯେ ଏକମୁନା ଲଙ୍କା ଆରକନ

ମୁରାରୀ ବେତାଳ ଅର୍ଦ୍ଧଚନ୍ଦ୍ର ସୁଦର୍ଶନ ।

ଅକାଳ ତ୍ରିକାଳ ମହାକାଳ ଏକଘେନି

ଗରୁଡ଼ା କୁହୁଡ଼ି ଅହିଶର ବଜ୍ର ଧ୍ଵନି ।

ଉଡ଼ାଇ ବୁଡ଼ାଇ ଆଉ ତାଡ଼ନ ମାରଣ

ଭୈରବ ସିଂହନାଦ ବିଜୟା ଜୟ ବାଣ ।

କୈମୋଦକୀ ବିଷ୍ଣୁବାଣ ଆବର ଅଭଙ୍ଗ

ଏ ରୂପେ ନାରାଚ ଧରି ଜନ୍ମିଲେ ନୃସିଂହ ।

ଶଙ୍ଖ ଚକ୍ର ଗଦା ପଦ୍ମ ସର୍ବେ ଚତୁର୍ଭୁଜ

ବହି ଏହାକୁ ପାରଇ ଏକା ପକ୍ଷୀରାଜ ।

ବୋଲେ କେଡ଼େ ପୁଣ୍ୟ ଅଟେ ମୋର ଶରୀରଟି

ଶ୍ରୀନୃସିଂହ ବିଷ୍ଣୁମାନେ ବସିବେ ମୋ ପିଠି ।

ଏତେ ବୋଲି ସମସ୍ତେ ଶ୍ରୀନୃସିଂହ ବିଷ୍ଣୁଙ୍କୁ

ପ୍ରାଣମ କରି ବହିଲେ ପୃଷ୍ଠେ ସମସ୍ତଙ୍କୁ ।

ଦେବଯାନ ରଥେ ବିଜେ ଶେଷଦେବ କଲେ

ବାମକରେ ଧନୁ ଧରି ନିଶ ଆଉଁଷିଲେ ।

ବୋଇଲେ ଦୈତ୍ୟେ ଆଜିକି ଯିବେ ପ୍ରାଣ ଘେନି

ମୃରାସୁର ଲାଗି ସର୍ବେ ଗଲେ ସଞ୍ଜିବନୀ ।

ଏ ରୂପେ ବୋଲି ମୁକୁଟ ପ୍ରାୟ ଫଣା ଡେରି

ଉଠିଲେ ସିନ୍ଧୁ ଲହରୀ ପ୍ରାୟ ଫୁଫୁକରି ।

ଗରୁଡ଼ ଉପରେ ଯାଇ ବସିଲେ ନୃହରି

ଦେବଯାନ ରଥେ ଶେଷଦେବ ବିଜେକରି ।

ଉଡ଼ନ୍ତି ଶ୍ଵେତପାରୁଆମାନେ ରାଜହଂସ

ଯାତ୍ରା କରନ୍ତି ଏମାନେ ଦେଖି ହୃଷୀକେଶ ।

ଶ୍ରୀ ଭାଗବତୀ ବନ୍ଦାନ୍ତି ଘେନି ଅର୍ଘ୍ୟଥାଳି

ଚୌଷଠି ସହସ୍ର କନ୍ୟା ଦ୍ୟନ୍ତି ହୁଳହୁଳି ।

ଅଷ୍ଟସଖୀଙ୍କର ମଧ୍ୟେ ବିଜେ କମଳିନୀ

ମନରେ ପାଞ୍ଚନ୍ତି ଈଳାଦେବୀ ଶୁଭବାଣୀ ।

କରନ୍ତେ କୃଷ୍ଣବଲ୍ଲଭ ରାଜା ଆଶୀର୍ବାଦ

ବ୍ରାହ୍ମଣମାନେ ପଢ଼ନ୍ତି ଆଗେ ଚାରିବେଦ ।

ଟମକ ନିଶାଣ ନାଦେ କମ୍ପେ ଦଶଦିଗ

ଘଣ୍ଟା ଶବଦ ଉଛୁଳି ପଡ଼େ ତିନି ସ୍ଵର୍ଗ ।

ସିଂହଦ୍ଵାର ବାଟେ ଚଳିଗଲେ ସୈନ୍ୟଗଣ

ଆଗରେ ଯେ ଆଗୁାଆଣି ମନ୍ତ୍ରୀ ଯେହୁ ଜାଣ ।

ବଦ୍ରିକା ସିଂହଦୁଆରୁ ଉପବନ ଯାଏ

ଦିଶନ୍ତି ନୃସିଂହଗଣ ପୁରି ତେଜୋମୟ ।

ସୁଜାଣ ମନ୍ତ୍ରୀ ଚଳନ୍ତି କର୍ଣ୍ଣାଟେଶ ସଙ୍ଗେ

ଚଳନ୍ତି ଯେ ତିନିପଦ୍ମ ସୈନ୍ୟ ଘେନି ଆଗେ ।

ଗରୁଡ଼ ଉପରେ ବସି ବିଜେ ନରହରି

ଗୀତ ଗାବନ୍ତି କନଡ଼ା ରାଗେ ଅପସରୀ ।

ବାଜେ ଝଞ୍ଜାଳ ମର୍ଦ୍ଦଳ ହୋଇ ଦମ ଦମ

ଟମକ ଘଣ୍ଟି ଘାଗୁଡ଼ି ଘଣ୍ଟା ଝମ ଝମ ।

ବାଜେ ଦମା ଦୁଲୁ ଦୁଲୁ ହୋଇ ଘଡ଼ି ଘଡ଼ି

ଶୁଭଇ ଘୁମୁରା ଘୁମୁ ଘୂମୁ ନାଦ ରଡ଼ି ।

ବାଜଇ ଯାମଳ ଘୋଡ଼ା ଶଙ୍ଖ ଆଗେ ଆଗେ

ଶୂନ୍ୟରେ ଚିରାଳମାନ ଉଡ଼େ ଚଉଦିଗେ ।

ଏରୂପେ ସଇନି ଘେନି ଗଲେ ବେନିଭାଇ

ପ୍ରଭୁ ଗହଳ ଦେଖନ୍ତି ଦେବେ ଶୂନ୍ୟେଥାଇ ।

ବ୍ରହ୍ମା ସହିତରେ ଇନ୍ଦ୍ର ଆଦି ସୁରଗଣ

ଈଶ୍ଵର କୁବେର ଯମ ଅଗ୍ନି ସହିତେଣ ।

ନଈର୍ଋତ ଦିବାକର ପବନ ବରୁଣ

ରାହୁ ମଙ୍ଗଳ ଭାର୍ଗବ ଶଶୀ ଶନି ପୁଣ ।

ଆବର ଯେ ବୃହସ୍ପତି ତାର ବାର ତିଥି

କରଣ ଯୋଗ ଆଦି ଯେ ବ୍ରହ୍ମା ପୁତ୍ର ନାତି ।

ମରିଚି ଅଙ୍ଗିରା ଭୃଗୁ ବଶିଷ୍ଠ କଶ୍ୟପ

ସ୍ତୁତି କରନ୍ତି ସକଳେ ଦେଖି ପ୍ରଭୁ ରୂପ ।

ବୋଲନ୍ତି ଅଳ୍ପକେ ଯିବ ମୃରାସୁର ନାଶ

ହେଲାଣି ଚଉଦ ମନୁ ଦେଲା କେତେ କ୍ଲେଶ ।

ମନୁ ଗୋଟିକ ଯେ ବାଆସ୍ତରୀ ଗଣ୍ଡା ଯୁଗ

ବୁଡ଼ିଲା ଦୈତ୍ୟର ଲାଗି ଆମ୍ଭ ସୁଖ ଭୋଗ ।

ତଥାପି ମଲେଣି ସେନାପତିଯାକ ଆସି

ଏଣିକି ତ ମୁର ମଲେ ହେବା ସ୍ଵର୍ଗବାସୀ ।

ଏରୂପେ ବୋଲିଣ ଦେବେ ଶୂନ୍ୟେ ସ୍ତୁତିକରି

ଚଳିଲେ ନୃସିଂହ ପାଦେ ନମି ଯେଝା ପୁରୀ ।

ଏଥୁ ଅନନ୍ତରେ ନରସିଂହ ମହାପ୍ରଭୁ

ଆନନ୍ଦବନେ ଦେଖିଲେ ଦୈତ୍ୟଯାକ ସବୁ ।

ପୁଚ୍ଛିଲେରେ କେ କେ ତୁମ୍ଭେ ଅଟ ଯାତୁଧାନେ

କାହିଁକି ଆସି ପଶିଲ ବଳେ ମୋର ବନେ ।

ଯେବଣ ତୋଟା ମୋହର ପୃଥ୍ଵୀରେ ଅପୂର୍ବ

ସେ ବନେ ପଶି କରୁଛ କିମ୍ପା ଉପଦ୍ରବ ।

ଶୁଣି ଦୈତ୍ୟମାନେ ଉଠିଲେକ କରି କୋହ

ବୋଇଲେ ତୁମ୍ଭେ କି କୃଷ୍ଣବଲ୍ଲଭର ପୁଅ ।

ଆମ୍ଭର ଯେତେକ ସେନା ଏଥେ ଥିଲେ ଆସି

ସେମାନଙ୍କୁ ଖୋଜୁଛୁ ଏ ବନ ମଧ୍ୟେ ପଶି ।

ଏହି ବନକୁ ଆନନ୍ଦବନ ପରା ବୋଲି

ସଂସାର ଯାକକୁ ନାମ ପଡ଼ିଛି ଉଛୁଳି ।

ଲୁଚାଇ ତୁମ୍ଭେ ତାହାଙ୍କୁ ରଖିଅଛ କହ

ଥିବା ଶୁଣି ଆମ୍ଭ ରାଜା କରିବେକ ସ୍ନେହ ।

ନୃସିଂହ ବୋଇଲେ ଆରେ ଗଲା ମଲା କଥା

ବୃହସ୍ପତି ହେଲେ କହି ନ ପାରଇ ମିଥ୍ୟା ।

ଶ୍ରୀଗୋବିନ୍ଦ ଖେଳ ଏହୁ ଅଟେ ବିଷ୍ଣୁ ମାୟା

ଜନ୍ମ ହୋଇଲେଟି ଜାଣ ମଲା ନିଶ୍ଚେ କାୟା ।

ଜନ୍ମିଲା ସେ ଆସି କାହୁଁ ମଲେ ଗଲା କାହିଁ

ଏ ଦୁଇ ଚିହ୍ନିଲା ଲୋକ ଜାଣ ନାହିଁ କେହି ।

ଯହିଁରୁ ସେ ଆସିଥିଲା ସେଠାବକୁ ଗଲା

ସେ ସ୍ଥାନକୁ ନ ଚିହ୍ନି ଯେ ବୋଲୁ ମଲା ମଲା ।

ତହିଁକି ଯେ ଉପଲକ୍ଷ ଶୁଣି ଦୈତ୍ୟମାନେ

ଦୀପ ଲିଭାଇଦେଲେ ସେ ରହେ ଯେଉଁ ସ୍ଥାନେ।

ସେହି ସ୍ଥାନରୁ ସେ ଆତ୍ମା ଆସି ଦେହ ବହେ

ଦେହକୁ ଛାଡ଼ିଗଲେ ସେ ଘଟେ ଜନ୍ମ ରହେ ।

ଏଣୁ ସେ ସ୍ଥାନେ ଜୀବର ଜାଣ ଗତାଗତ

ଲେଉଟି ଚୌଷଠି ଯୋନି ଭ୍ରମେ ହୋଇଜାତ ।

ମଲା ଲୋକଙ୍କୁ ଖୋଜୁଛ ଆସି ଯେବେ ତୁମ୍ଭେ

ଏଥର ମଲେ ଦେଖିବ ଯାଇ ଥିବାଠାବେ ।

ପବିତ୍ରବନ୍ତ ପବିତ୍ର ସ୍ଥାନ ଯାଇ ଜନ୍ମେ

କପଟୀ ଲୋକ ଚୌଷଠି ଯୋନି ମଧ୍ୟେ ଭ୍ରମେ ।

ଅଧର୍ମ ଅର୍ଜିଲ ପ୍ରାଣୀ ଅଳ୍ପେ ଯାଇ ନାଶ

ଧର୍ମବନ୍ତ ପ୍ରାଣୀର ବର୍ଦ୍ଧିତ ହୁଏ ବଂଶ ।

ଯାହାର ବାପ ଅଧର୍ମମାନ ଅର୍ଜୁ ଥାଇ

ତାର ପୁତ୍ର ନାତି ମହା ଦରିଦ୍ର ହୁଅଇ ।

ଅଧର୍ମୀ ଲୋକର ବିତ୍ତ ବଢ଼େ ଅପ୍ରମିତ

ଛାଡ଼ିଲା ବେଳରେ ଯାଏ ସେ ମଳ ସହିତ ।

ତୁମ୍ଭ ରାଜା ଆମ୍ଭଠାରେ ମନେ ହିଂସା ଧରି

ପୁତ୍ର ନାତି ଆଦି କରି ମଲେଣି ତାହାରି ।

ହିଂସ୍ରକ ଲୋକ ସଭିଙ୍କି ହୋଇଥାଏ ଭାରା

ପାପୀଲୋକଙ୍କ ଭରା ନ ବହେ ବସୁନ୍ଧରା ।

ଅଳ୍ପକେ ପରହିଂସ୍ରକ ଲୋକ ବୁଡ଼ିଯାଏ

ସ୍ୱକୃତବନ୍ତର ବଂଶ ବର୍ଦ୍ଧିତ ଯେ ହୋଏ ।

ଦୁଷ୍ଟ ମରଣେ ବୋଲାନ୍ତି ଭବୁଁ ପାପ ଗଲା

ଉତ୍ତମ ଲୋକ ମରଣେ ବୋଲନ୍ତି କି ହେଲା ।

ସଂସାରେ କେହି ତ ଚିର ହୋଇ ନ ରହିବ

ତୁମ୍ଭେ ଆସିଅଛ ଏଥି ମୃତ୍ୟୁ କରି ଠାବ ।

ଆମ୍ଭର ଗୃହେ ଯେ ଆମ୍ଭେ ସୁଖେ ଅଛୁ ରହି

ତୁମ୍ଭ ଇଚ୍ଛାରେ ମରୁଛ ତୁମ୍ଭେ ବଳେ ଧାଇଁ ।

ତଳେ ଡେଉଁଛ ଉପରେ ବୁଲେ କାଳଚକ୍ର

ପାପୀଙ୍କି ଜଗି ଥାଆନ୍ତି ହୋଇ ଏହୁ ବକ୍ର ।

ମରିଯାଏ ଡେଉଁ ଡେଉଁ କେହୁ ତଳେ ପଡ଼ି

କାହା ଗଳା କଟିଯାଏ କାଳଚକ୍ରେ ପଡ଼ି ।

ଏ କଥା ମୂର୍ଖଲୋକ ନ ପାରେ ହେତୁ କରି

ଧର୍ମରେ ରହି ଅଛଇ ସିନା ବସୁନ୍ଧରୀ ।

ଏବେ ଯେ ତୁମ୍ଭର ରାଜା ଅଛି ମୃରାସୁର

ସେ ହେଲେ ରହିବ କେତେଦିନ ହୋଇଚିର ।

ତୁମ୍ଭେବୋଲ ଆମ୍ଭେ ଆସିଅଛୁ ଖୋଜି ଦୈତ୍ୟ

ତାହାଙ୍କ ପ୍ରାୟ ମରିବ ତୁମ୍ଭେ ଆଜି ସତ୍ୟ ।

ଏକଥା ନିଶ୍ଚୟ ଜାଣ ଅଟେ ବିଷ୍ଣୁ ମାୟା

ବିଷ୍ଣୁ ମାୟାରୁ ବଞ୍ଚି କେ ଧରି ନାହିଁ କାୟା ।

ଶ୍ରୀନୃସିଂହ କଥା ଶୁଣି କଲେ ଦୈତ୍ୟ କୋପ

କେ ବୋଲେ କେବଣ ବିଷ୍ଣୁ ଅଟଇ ତୋ ବାପ ।

କୃଷ୍ଣ ବଲ୍ଲଭର ପୁଅ ଅଟ ତୁମ୍ଭେ ଦୁଇ

ବିପ୍ରକୁଳେ ଜନ୍ମି ବୋଲୁଛ ବିଷ୍ଣୁ ମୁହିଁ ।

ନୃସିଂହ ବୋଇଲେ ବିଷ୍ଣୁ ଚିହ୍ନ କିରେ ଦୈତ୍ୟ

ବୁଝିଲେ ଯେ ବିଷ୍ଣୁ ସବୁଙ୍କର ପିତାମାତ ।

ସକଳ ଘଟରେ ଆତ୍ମା ଏକା ବିଷ୍ଣୁ ଅଟେ

ବିଷ୍ଣୁଙ୍କୁ ଚିହ୍ନି କେହି ନପାରେ ସର୍ବଘଟେ ।

ଭକ୍ତଙ୍କୁ ଶ୍ରୀବିଷ୍ଣୁ ପାଦପଦ୍ମ ଏକା ଜଣା

ଦୁଇଗୋଟି ଚରଣ ସେ ଅଟେ ଅକଳଣା ।

ସେ ପାଦପଦ୍ମରୁ ଝରି ବହେ ମକରନ୍ଦ

ସେ ମକରନ୍ଦ ଚୁମ୍ବି ମୋର ଭକ୍ତବୃନ୍ଦ ।

ସମସ୍ତେ ଯେ ଚୁମ୍ବୁଥାନ୍ତି ରାତ୍ର ଦିବା ଝିଙ୍କି

ସେ ଝିଙ୍କିାଝିଙ୍କି କଥା ନ ଜାଣେ କେହିବା କି ।

ସାକ୍ଷାତେ ସେ ପଦ୍ମପାଦ ଅଟେ ପରମାଣ

ଉତ୍ତମ ଶିଷ୍ୟେ ପଢ଼ାନ୍ତି ଗୁରୁ ଏହା ଜାଣ ।

ଯେ କୃଷ୍ଣବଲ୍ଲଭ ଅଟେ ଆମ୍ଭ ପିତା ଜାଣ

ତାହାଙ୍କ ବୀର୍ଯ୍ୟରୁ ଆମ୍ଭ ଦେହ ବିଦ୍ୟମାନ ।

ଆମ୍ଭେଟି ଜାଣ ସର୍ଜନା କରୁଛୁ ଏ ସୃଷ୍ଟି

ଆମ୍ଭେ ଯେ ଥାପିଛୁ ବ୍ରହ୍ମା କରି ପରମେଷ୍ଠୀ ।

ଆମ୍ଭେ ସେ ରୁଦ୍ରଙ୍କୁ ବ୍ରହ୍ମାଣ୍ଡରେ ଜାତକଲୁ

ଆମ୍ଭେ ସେ ନେଇ ଇନ୍ଦ୍ରଙ୍କୁ ସ୍ଵର୍ଗେ ବସାଇଲୁ ।

ଆମ୍ଭେ ଦଶଦିଗପାଳମାନ ଅଛୁ ସ୍ଥାପି

ଆମ୍ଭେସେ ବ୍ରହ୍ମାଣ୍ଡେ ଚନ୍ଦ୍ର ସୂର୍ଯ୍ୟଅଛୁ ରୋପି ।

ଆମ୍ଭେ ସେ ସଂସାରଯାକେ ଜଳ ବୃଷ୍ଟି କରୁ

ମନବୋଧକୁ ଯେ ମାତ୍ର ଯୋଗ ବାର ଧରୁ ।

ଶ୍ରୀବିଷ୍ଣୁ ଆଜ୍ଞାରେ ସିନା କଲେ ଜଳବୃଷ୍ଟି

ତହିଁକି ଚାହିଁ କହନ୍ତି ଯୋଗ ଜ୍ୟୋତି ସେଟି ।

କେତେକ ବା ଘଟଥାଇ କେତେ ନ ଘଟଇ

ସବୁ କଥାକୁ ସତ୍ୟ ମୁଁ ଅଟେ ଭାବଗ୍ରାହୀ ।

ଆମ୍ଭେ ସେହି ବାସୁକୀକୁ ଅଛୁ ଜାତକରି

ବହିଛି ପଞ୍ଚାଶକୋଟି ପୃଥ୍ଵୀ ବସୁନ୍ଧରୀ ।

ଆମ୍ଭେ ସେ ଶରୀରୁ ପବନକୁ ଜାତ କଲୁ

ସବୁଙ୍କରି ନାସାପୁଟେ ଛନ୍ଦି ବାନ୍ଧିଦେଲୁ ।

ପାଦେ ବାନ୍ଧନ୍ତେଣ ସେହି ହେଲା ପାଦେ ଛନ୍ଦି

ଆମ୍ଭ ଶ୍ରୀପାଦପଦ୍ମ ନ ଚିହ୍ନି ହ୍ଵନ୍ତି ଧନ୍ଦି ।

ଆମ୍ଭ ପାଦପଦ୍ମ ଯେବେ ଚିହ୍ନନ୍ତେରେ ଦୈତ୍ୟ

କାହିଁକି ହୁଅନ୍ତି ଅଳପକେ ମୃତ୍ୟୁଗତ ।

ଆମ୍ଭେ ଏକା ହେଉ ଜାଣ ଦଶ ଅବତାର

ଅସୁର ମାରିଣ ଚଳୁ ବଇକୁଣ୍ଠପୁର ।

ଚିହ୍ନନ୍ତି ଆମ୍ଭର ପାଦପଦ୍ମ ଶଙ୍କରଟି

ଆଉ ଚିହ୍ନନ୍ତି ଭୂଷଣ୍ଡ ଚିହ୍ନେ ପରମେଷ୍ଠୀ ।

ବଶିଷ୍ଠଙ୍କୁ ସେ ଭୂଷଣ କାକ ଚିହ୍ନାଇଛି

ତେଣୁ ସେ ଅମର ହୋଇ ସର୍ବକାଳେ ଅଛି ।

ଚିହ୍ନନ୍ତି ଆମ୍ଭର ପଦ୍ମପାଦ ଭକ୍ତଜନ

ତାହାଙ୍କ ବ୍ୟତୀତ ଚିହ୍ନି ନ ପାରେ କେ ଆନ ।

ଚିହ୍ନନ୍ତି ଆମ୍ଭର ପାଦ ଏକା ଋଷିମାନେ

ତେଣୁ ସେ ଅମର ହୋଇଛନ୍ତି ସବୁଦିନେ ।

ଆମ୍ଭର ପାଦପଦ୍ମକୁ ଯୋଗୀଜନେ ଚିହ୍ନି

ଲୋକଙ୍କୁ ପାରନ୍ତି ବୋଧି ସଂସାରେ ସେ ଜ୍ଞାନୀ।

ଦୈତ୍ୟ ହେବାରୁ ଆମ୍ଭଙ୍କୁ ତୁମ୍ଭେ ନିନ୍ଦାକର

ଏହି ସକାଶୁରେ ଆସି ଅଳପକେ ମର ।

ଶୁଣିଣ ଉଠିଲେ ଦୈତ୍ୟ ମାନେ କୋପକରି

ଯୁଦ୍ଧକୁ ସଜ ହୋଇଲେ ହସ୍ତେ ଧନୁ ଧରି ।

ଶ୍ରୀନୃସିଂହ ଆଜ୍ଞାକଲେ ଶୁଣ ମନ୍ତ୍ରୀବର

କର୍ଣ୍ଣାଟେଶ୍ଵରକୁ ଘେନି ଯୁଦ୍ଧ ବେଗେକର ।

ଅସୁରେ ଧନୁ ଧରିଣ ଯୁଦ୍ଧେ କଲେ ସଜ

ତୁମ୍ଭର ଯେ କରାମତି ଦେଖାଯିବ ଆଜ ।

ଲେଉଟି କହିଲେ ଗରୁଡ଼କୁ ନାରାୟଣ

ବୋଇଲେ କରିବା ଅସୁରଙ୍କୁ ସଂହାରଣ ।

ଶେଷଦେବଙ୍କୁ ଯେ ଆଜ୍ଞା କଲେ ପୁଣ ଚାହିଁ

ବୋଇଲେଟି ତାତପର୍ଯ୍ୟେ ଥିବ ଯୁଦ୍ଧେ ରହି ।

ଏ ରୂପେ କହି ଧଇଲେ ଧନୁ ନାରାୟଣ

ଅଜଗବ କୌମୋଦକୀ ଆଉ ସୁଦର୍ଶନ ।

ଆଦ୍ୟରେ ଯେ ବୃକାସୁର ବିନ୍ଧୁ ଶର ଟାଣି

ଛେଦିଲେ ତୀକ୍ଷ୍ଣ ନାରାଚେ ତାହା ଚକ୍ରପାଣି ।

ବିଲଙ୍କା ଦେଶର ସେହୁ ଅଟେ ନୃପମଣି

ଲଙ୍କାଠାରୁ ଶତେଯୁଣ ତାର ନଗ୍ର ପୁଣି ।

ଦିଗବିଜେ କରି ମୁର ଆଣିଥିଲା ବରି

ସେ ଥାଟରେ ସେନାପତି ଅଟ ଅଧିକାରୀ ।

ତାହାର ତୁଲେ ଯୁଝନ୍ତି ପ୍ରଭୁ ନାରାୟଣ

ବେଳକୁ ବେଳ ଲାଗିଲା ଯୁଦ୍ଧ ଗୁରୁଟାଣ ।

ଲକ୍ଷେକ ପର୍ବତାଶର ଦ୍ୟନ୍ତି ବୃକା ଛାଡ଼ି

ତହିଁକି ସେ ବଜ୍ର ଶକ୍ତି ଦେଲେ ପ୍ରଭୁ ଆଡ଼ି ।

ସେ ବ୍ରଜ ଶକତି ବାଜି ଗିରିଡ଼େଣାଯାକ

ତତକାଳେ ଛେଦି ତାହା ଦେଲେ ପୁଣ୍ୟଶ୍ଲୋକ ।

ପଡ଼ିଲେ ପର୍ବତଯାକ ଜମ୍ବୁଦ୍ଵୀପେ ଯାଇ

ଦେଖିଣ ବୃକା ତାହାକୁ ବହୁ ପ୍ରଶଂସଇ ।

ସାଧୁରେ ବିପ୍ର ବୋଲିଣ ବହୁ ପ୍ରଶଂସିଲା

ପନ୍ନଗଶର ପୁଣି ସେ ଅର୍ବୁଦେ ବିନ୍ଧିଲା ।

ଦେଖି ଗରୁଡ଼କୁ ଭାଜିଗଲେ ସର୍ବ ଅହି

ତହିଁକି ଗରୁଡ଼ ଶର ବିନ୍ଧି ଭାବଗ୍ରାହୀ ।

ଛେଦିଲେ ସର୍ପଯାକକୁ ଗଲେ ଶର ଭକ୍ଷି

ତାହାଦେଖି ବୃକାସୁର ନ ପିଛାଡ଼େ ଆଖି ।

ପୁଣି ନାରାଚେ ସେ ଶତକୋଟି ଦେଲା ବିନ୍ଧି

ତୀକ୍ଷ୍ଣରେ ଛେଦିଲେକ ତାହା ଦୟାନିଧି ।

କୌସ୍ତୁଭ ନାମରେ ଶର ହସ୍ତେ ପ୍ରଭୁ ଧରି

ବିନ୍ଧିଲେକ ଆକର୍ଷଣ ଚକ୍ରଗତି କରି ।

ଅସୁରର ଚାରିପାଖେ ଯେତେ ସୈନ୍ୟଥିଲେ

ତୁଳାକୁଢ଼ ପ୍ରାୟ ସେହି ଗଗନେ ଉଡ଼ିଲେ ।

ଶ୍ରୀନୃସିଂହ ମହାଯୁଦ୍ଧେ ଦେଖି ବୃକାସୁର

କୁହୁକ ବାଣ ବିନ୍ଧିଲା ହୋଇ ଆଗୁସାର ।

ପୃଥିବୀରୁ ଶୂନ୍ୟ ଯାଏ ଅନ୍ଧକାର ଦିଶି

ପୁଚ୍ଛନ୍ତି ଶେଷଦେବଙ୍କୁ ଚାହିଁ ପ୍ରଭୁ ହସି ।

ବୋଇଲେ କପଟଯୁଦ୍ଧ ଦେଖ ଦୈତ୍ୟକଲା

ଆମ୍ଭଙ୍କୁ ଲୁଚି ପଳାଇ ଯିବା ଅବା ଭଲା ।

ଶେଷଦେବ ବୋଇଲେ ଏକଥା ନୁହେଁ କେବେ

ଅପାର ସୈନ୍ୟ ଘେନିଣ ଅଛନ୍ତି ଦାନବେ ।

ପଳାଇ ଯିବାର କଥା କେବେ ନୁହେଁ ସ୍ଵାମୀ

ଆମ୍ଭଙ୍କୁ କପଟେ ଧରି ନେବେ ଅନ୍ତର୍ଯ୍ୟାମୀ ।

ଏରୂପେ ବଚନ ଶେଷଦେବ କହୁଁ କହୁଁ

ଅନ୍ଧାରେ ବିନ୍ଧିଲା ଜଳପାଶ ଦୈତ୍ୟରାହୁ ।

ଅନନ୍ତ ବୋଇଲେ କୂଟ କଲାଟି ଅସୁର

ଏଥକୁ ଉପାୟ ବେଗେ ଲକ୍ଷ୍ମୀକାନ୍ତ କର ।

ଶୁଣିଣ ତା ପ୍ରତିଅସ୍ତ୍ର କଲେ ନରହରି

ପେଶି ଛେଦିଦେଲେ ତାର ଜଳଧର ପୁରୀ ।

ଦେଖିଣ ସେ ବୃକାସୁର ମନେ କଲା ଶଙ୍କା

କହୁଁ କହୁଁ ନାରାଚକେ ବିନ୍ଧିଦେଲା ଏକା ।

ପୃଥିବୀରୁ ଶୂନ୍ୟଯାଏ କୁହୁଡ଼ି ଘୋଟନ୍ତେ

ଆପଣା ଥାଟରେ ଯାଇ ପଶିଲା ଦଇତ୍ୟେ ।

ସେମାନଙ୍କ ସହିତରେ ବିଚାର ସେ କଲା

ବଦ୍ରିକାପୁରକୁ ଯାଇ ଆସୁଛି ବୋଇଲା ।

ତାହାର ଗୁପତ କଥା ସବୁ ଦୈତ୍ୟ ଜାଣି

ନୃସିଂହ ଥାଟରେ ପଶି କଲେ ଯୁଦ୍ଧ ପୁଣି ।

ଅନେକ କୂଟ ଛନ୍ଦ ସେ ଜାଣେ ବୃକାସୁର

ଦୁର୍ଗାଙ୍କୁ ସେବି ଶିଖିଛି ମନ୍ତ୍ର ଅଗୋଚର ।

ଯାହା ପାଞ୍ଚିବ ତତ୍କାଳେ ହୁଏ ତାହା ସିଦ୍ଧ

ଯେ ମନ୍ତ୍ର ନାମ ଓଁକାର ପରଂବ୍ରହ୍ମ ପଦ ।

ଓଁକାର ବ୍ରହ୍ମ ଅକ୍ଷରୁ ସମସ୍ତ ଉତ୍ପତ୍ତି

ଦଇବୀ ବିଦ୍ୟା ସକଳ ପ୍ରକାଶ ହୁଅନ୍ତି ।

ସେ ମନ୍ତ୍ର ଗୋଟିଏ ବୃକା ଦୁର୍ଗାଙ୍କ ପ୍ରସାଦେ ।

ଆବୃତ୍ତି କରିଣ ରଖିଅଛି ଆଣି ହୃଦେ ।

ଆପଣା ଥାଟୁ ଯୋଡ଼ିଏ ଧରି ଦୈତ୍ୟବୀର

ଗଙ୍ଗାତଟକୁ ଯେ ବୋଲି ଗଲା ବୃକାସୁର ।

ତାଙ୍କ ମୁଣ୍ଡ ହାଣି ଗଙ୍ଗାଜଳେ ବୁଡ଼ାଇଲା

କୂଳରେ ଥୋଇ ମୁଠାଏ ପାଣି ସିଞ୍ଚିଦେଲା ।

ବୋଇଲେ ନୃସିଂହ ଶେଷ ପ୍ରାୟ ତୁମ୍ଭେ ହୁଅ

ସେହି ସଦୃଶେ ତୁମ୍ଭର ଦିଶୁ ମୁଖ ଦେହ ।

ନୃସିଂହ ବେନି ଭାଇଙ୍କ ତୁଲ୍ୟ ଦିଶୁ ମୁଣ୍ଡ

ଲଲାଟ ନାସିକା ଚକ୍ଷୁ କର୍ଣ୍ଣ ଓଷ୍ଠ ତୁଣ୍ଡ ।

ହରିମନ୍ଦିର ଚିତା ନାସାଗ୍ର କେଶ ଯାଏ

ଦଶନପନ୍ତି ପ୍ରକାଶୁ ମୁଖେ ସେହି ପ୍ରାୟେ ।

ମନ୍ତ୍ର ବଳରେ ପାଞ୍ଚିଲା ବୃକା ସବୁ ଭାବି

କଉସ୍ତୁଭମଣି କଣ୍ଠେ ହୃଦେ ଅଛି ଲମ୍ବି ।

ଦିଶିଲା ଶ୍ରୀ ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ

ଅଜଗବ କୌମୋଦକୀ ଆଉ ସୁଦର୍ଶନ ।

କନ୍ଧେ ବିରାଜଇ ଯଜ୍ଞ ଉପବୀତ ସୂତା

ହୃଦରେ ଶ୍ରୀବତ୍ସ ଚିହ୍ନ ଦିଶେ ଅପ୍ରମିତା ।

କର ପାଦବଲ୍ଲଭ ଯେ ଅଣ୍ଟା କଟି ବେଢ଼

ଧଇଲେ ନୃସିଂହ ଶେଷ ରୂପ ଦୈତ୍ୟରାଢ଼ ।

ଗରୁଡ଼ ରୂପ ସିଦ୍ଧାନ୍ତ ମନ୍ତ୍ରେ ପୁଣି କଲା

ଦୈତ୍ୟ ମୁଣ୍ଡ ଗଣ୍ଡି ଗରୁଡ଼ରେ ବସାଇଲା ।

ବଦ୍ରିକାପୁରରେ ଯାଇ ହୋଇଲେ ପ୍ରବେଶ

ଯେବଣ ଠାବରେ ପୂରିଛନ୍ତି ନାରୀହଂସ ।

ବଲ୍ଲଭ ଯେ ଭଗବତୀ ବସିଛନ୍ତି ଚାହିଁ

ସେଠାବରେ ବେନିମୁଣ୍ଡ ପକାଇଲେ ନେଇ ।

ଗଣ୍ଡି ମୁଣ୍ଡକୁ ପକାଇ ତହିଁ ଯୋଡ଼ିଦେଲା

ପୁତ୍ର ତୋର ମଲେ ବୋଲି କୁହାଟି ଡାକିଲା ।

ଦେଖିଣ ବଲ୍ଲଭ ରାଜା ପୁତ୍ରଙ୍କ ବଦନ

ବସିବା ଠାବରେ ଢଳି ପଡ଼ିଲା ରାଜନ ।

ପ୍ରଥମରେ ନୃସିଂହର ମୁଖଗୋଟି ଚିହ୍ନି

ଶତଦଳ ପଦ୍ମପ୍ରାୟ ଦିଶଇ ମୁର୍ଦ୍ଧନୀ ।

ସୂର୍ଯ୍ୟର ଜ୍ୟୋତି ପରାୟେ ଦିଶେ ଶେଷ ମଥା

ଦେଖି ଭଗବତୀର ନସ୍ଫୁରେ ତୁଣ୍ଡୁ କଥା ।

ନୃସିଂହ ମଥା ଧରନ୍ତେ ମାତା ପୁଣି ତୋଳି

ରୁଧିର ପଡ଼ୁଛି ଟୋପି ଟୋପି କନ୍ଧୁ ଗଳି ।

ଶେଷଦେବ ମଥା କୃଷ୍ଣବଲ୍ଲଭ ଯେ ଆଣି

କାନ୍ଦନ୍ତି ଭୂମିରେ ଗଡ଼ି ପଡ଼ି ରାଜା ରାଣୀ ।

ଆହ ପୁତ୍ର ବୋଲି ରୋଦନ୍ତି ଯେ ବାପମାଏ

କେଣେ ଅନାଥ କରିରେ ଗଲ ବେନି ପୋଏ ।

ଆମ୍ଭଙ୍କୁ ତୁମ୍ଭ ମହିମା ସବୁ କହୁଥିଲ

ଛାର ଏ ଅସୁର ହସ୍ତେ ଅଖଡ଼େ ମରିଲ ।

ତୁମ୍ଭଙ୍କୁ ନଦେଖି ଆମ୍ଭେ ଜୀଇବୁ କି ଆଉ

ଆମ୍ଭ ପ୍ରାଣ ନାଶକର ଆଗେ ନେଇ ଯାଉ ।

ଦୈତ୍ୟଙ୍କ ମାୟାକୁ ବାବୁ ଜାଣି ନ ପାରିଲ

କି ଯୋଗରେ ଘରୁ ଯାଇ ବାହୁଡ଼ି ନଇଲ ।

ମଲି ଆରେ ବାପ ବୋଲି ଭଗବତୀ ରାଣୀ

ବଜ୍ରାଘାତ ହେଲା ପ୍ରାୟ ପଡ଼ିଲା ଧରଣୀ ।

ପୁଣି ଉଠି ପୁତ୍ରମୁଖ ଚାହିଁଲେ ତରାଟି

ଚକ୍ଷୁ ମୁଖ ନାସା କର୍ଣ୍ଣ ଓଷ୍ଠ ଦାନ୍ତ ପାଟି ।

ଦେଖି ଅଣ୍ଟା ପେଟ ଜାନୁ ଆଦି ପାଦଯାଏ

ରୋଦନ୍ତି ଚାହିଁଣ ସବୁଠାକୁ ବାପ ମାଏ ।

ଆହାରେ ପୁତ୍ର ବୋଲିଣ ଭଗବତୀ ମାତ

କେଶବାସ ଅସମ୍ଭାଳେ ପଡ଼େ ଭୂମିଗତ ।

ସହସ୍ର ଚନ୍ଦ୍ରର ଜ୍ୟୋତି ଦିଶେ ତୁମ୍ଭ ମୁଖ

ନୟନ ଯୁଗଳ ଦିଶେ ସୂର୍ଯ୍ୟଦେବ ରେଖ ।

ଶ୍ରୀ ମୁଖପଦ୍ମ କର୍ଣ୍ଣରୁ କସ୍ତୁରୀ ଯେ କାଢ଼ି

ଉଡ଼େ ଫରହରେ ବଲ୍ଲଭରେ ଓଷ୍ଠ ଦାଢି ।

ଶ୍ରବଣେ ହୀରା କୁଣ୍ଡଳ ବାହୁନିବି କିସ

ମୁଖ ପଦ୍ମର ସୁଶୋଭା ମୋହୁଛି ତ୍ରିଦଶ ।

ଡାହାଣ ବର୍ତ୍ତକ ଶଙ୍ଖ କଣ୍ଠର ଆକୃତି

ବୃଷାଳ ହୃଦୟ ତୁମ୍ଭ ଶୋଭା ହାର କାନ୍ତି ।

ସୁସଞ୍ଚ ନାଭିଶଙ୍ଖ ଯେ ପଦ୍ମପତ୍ର ପେଟ

ଦିଶଇ ଆଗକୁ ଶୋଭା ପଛକୁ ମୁରାଟ ।

ପେଟ ନାଭି ଅଣ୍ଟା ଜାନୁ ଉରୁ ପାଦଯାଏ

ଏକକୁ ଆରେକ ଶୋଭା ଅଟ ବେନି ପୋଏ ।

ଯେତେ ଗୁଣ ତୁମ୍ଭର ମୁଁ ଶୁଣୁଥିଲି ବତ୍ସ

ଋଷିଙ୍କର ବଚନ କି ହେଲା ଏବେ ମିଛ ।

ଯାହା ପାଦେ ନମନ୍ତି ବ୍ରହ୍ମା ନିତ୍ୟେ ଆସି

ଯାହାକୁ ଭଜନ୍ତି ସାତକଳ୍ପ ରୁଦ୍ର ବସି ।

ବିପ୍ରଙ୍କର ଆଶୀର୍ବାଦ ହୋଇଗଲା ମିଛ

ଦେବଙ୍କ ବଚନମାନ ହୋଇଲା ଅସତ୍ୟ ।

ସୁଲଭ ସ୍ତିରୀମାନଙ୍କ ବାକ୍ୟ ନ ଫଳିଲା

ଭକତମାନଙ୍କ ବାଞ୍ଛା ବିଫଳ ଯେ ହେଲା ।

ସଂସାର ଲୋକ ଭଜନ୍ତି ସଦା ତୁମ୍ଭ ନାମ

ବିଫଳ ହୋଇଲା ତାହା ପୋଡୁ ଆମ୍ଭ କର୍ମ ।

ଗର୍ଭରେ ସ୍ଥିତି କାଳରେ କହିଲ ଯା ମୋତେ

ସେ କଥାକୁ ଅପ୍ରାପତ କଲ ମୋର ସୁତେ ।

ମୁହିଁତ ରାଢେଣୀ ତାହା ସତ କରିଥିଲି

ମୋ ଘରେ ଅଛନ୍ତି ବୋଲି ହେଳା ମୁହିଁ କଲି ।

ବିଷ୍ଣୁ ଜାଣି ଛାଡ଼ିଦେଲି ତୁମ୍ଭଙ୍କୁ ମୁଁ ରଣେ

ଅସୁର ଛାର ମାରିଲେ ହେଲା ଅକାରଣେ ।

ବଦ୍ରିକା ନଗ୍ର କାହାକୁ ଏବେ ଦେଇ ଗଲ

ଏଡ଼େ ଗଡ଼ ବାନ୍ଧି ଭୋଗ କରି ନ ପାରିଲ ।

ସୌନ୍ଦର୍ଯ୍ୟର ଶୋଭା ସାର ଅଟ ପୁତ୍ର ବେନି

ଅଖଡ଼େ ଯେ ତୋଟି କାଟିଗଲ ମୋର ଘେନି ।

ସହସ୍ର ଚନ୍ଦ୍ରୁ ଅଧିକ ଦିଶେ ତୁମ୍ଭ ଦେହ

ତହିଁରେ ଆପଦ ଆସି ପଡୁ ମୋର ଗୃହ ।

ହୀରାରୁ ବହୁତ ଗୁଣେ ଟାଣ ଦାନ୍ତ ପାଟି

ତହିଁର ଆପଦମାନ ପଡୁ ମୋର ଦୃଷ୍ଟି ।

ବିରାଜେ ତଡ଼ିତ ପ୍ରାୟ ତୁମ୍ଭ ଚକ୍ଷୁ ବେନି

ତହିଁର ଅଭାବ ମୋର ପଡୁରେ ମୁର୍ଦ୍ଧନି ।

ମୋର ଦୁଃଖ ଦେଖିଣ ଉଠି ବେଳେ ବସ

କଥା ପଦେ ପଦେ କହି ମନ ମୋର ତୋଷ ।

ତିଳ ପୁଷ୍ପ ପ୍ରାୟ ତୁମ୍ଭ ଦିଶଇ ନାସିକା

ତହିଁର ଆପଦ ଘେନଇଁ ମୁଁ କିନା ଏକା ।

ହସ୍ତୀ ଥୋର ପ୍ରାୟ ଶୋହେ ତୁମ୍ଭ ବେନି ଭୁଜ

ତହିଁର ଆପଦ ଘେନଇ ମୁଁ କିନା ଆଜ ।

ପକ୍ଵବିମ୍ବ ପରାୟେକ ତୁମ୍ଭ ଓଷ୍ଠ ଦୁଇ

ଆରକ୍ତି ପଦ୍ମ ପ୍ରାୟେ ଯେ ଜ୍ୟୋତି ବିରାଜଇ ।

କୁନ୍ଦନ ହେମ ପରାୟ ତୁମ୍ଭ ବକ୍ଷ ସ୍ଥଳ

ତୋ ଆପଦ ଆସି ପଡୁ ମୋର କନ୍ଧମୂଳ ।

ତୁମ୍ଭର ଏ ଭୁଜମାନ ଗଢ଼ିଲା କେ ଅବା

ଶତଦଳ ପଦ୍ମ ପ୍ରାୟ ପ୍ରକାଶୁଛି ପ୍ରଭା ।

ଗଜ କୁମ୍ଭ ପ୍ରାୟ ଅଟେ ତୁମ୍ଭ ବେନି କନ୍ଧ

ତହିଁର ଆପଦ ଆସି ପଡୁ ମୋର ହୃଦ ।

ହେମଜ୍ୟୋତି ପରାୟେ ଯେ ଦିଶେ ଲୋମସଞ୍ଚ

ତହିଁକି ମୋର ଲକ୍ଷ ନ ଦିଶେ ସ୍ଵର୍ଗ ମଞ୍ଚ ।

ମୁକୁତାପନ୍ତି ପରାୟ ତୁମ୍ଭ ଦନ୍ତପନ୍ତି

ତହିର ଆପଦ ମୋର ମୁଣ୍ଡେ ପଡ଼ୁ ନିତି ।

ଦୁଃଖୀର ସଙ୍ଖାଳି ମୋର ପ୍ରାଣ ପଞ୍ଚଭୂତ

ଅତଳ ସମୁଦ୍ରେ ମୋର ବୁଡ଼ିଲା ବୋଇତ ।

ପୁତ୍ରଙ୍କ ପ୍ରାୟେ ପକାରେ ଦୈତ୍ୟ ମୋତେ ହାଣି

ଏତେ ବୋଲି ମୂର୍ଚ୍ଛାଗଲେ ଭଗବତୀ ରାଣୀ ।

ନୃସିଂହ ମାତାର ଶୋକ କେହୁ କହିପାରି

କାନ୍ଦନ୍ତି ବଦ୍ରିକା ନଗ୍ରଯାକ ନରନାରୀ ।

ସ୍ତିରୀ ପୁରୁଷ ଯେ ଯୁବା ବାଳ ବୃଦ୍ଧା ଯାଏ

ରୋଦନ କରନ୍ତି ସର୍ବେ ବସି ଅପ୍ରମୟେ ।

ଚୌଷଠି ସହସ୍ର କନ୍ୟା ନୃସିଂହ ଭିଳାଷୀ

ଭୂମିରେ ଗଡ଼ି ଉଚ୍ଚରେ କାନ୍ଦନ୍ତି ଯେ ବସି ।

ନୃସିଂହଙ୍କ ଅଷ୍ଟସଖୀ ଯେତେ ପରିବାରୀ

କାନ୍ଦନ୍ତି ଅସମ୍ଭାଳେ ସେ ହାହାକାର କରି ।

ଶେଷଦେବଙ୍କ ଭାରିଯା ଈଳା ଠାକୁରାଣୀ

ଗଛପ୍ରାୟ ଛେଚି ହୋଇ ପଡ଼ିଲେ ଧରଣୀ ।

ବୋଇଲେ ହା ସ୍ଵାମୀ ବ୍ରହ୍ମାଣ୍ଡର ଅଧିକାରୀ

କର ଲେଉଟାନ୍ତେ ଲେଉଟେ ଯେ ବସୁନ୍ଧରୀ ।

ଯାହାର ପାଦେ ନମନ୍ତି ବ୍ରହ୍ମା ଶତେବାର

ତେଡ଼େ ପ୍ରଭୁଙ୍କୁ ନାଶିଲା କେହ୍ନେ ଦୈତ୍ୟଛାର ।

ଦଶଦିଗପାଳ ଯାର ପାଦତଳେ ବନ୍ଦି

ସେ ପ୍ରଭୁଙ୍କୁ ଦୈତ୍ୟ ଛାର ପକାଇଲା ଛେଦି ।

ଆହା ସ୍ଵାମୀ ବୋଲିଣ ସେ ହେଲେ ଅସମ୍ଭାଳେ

ବିଭାଳ ପରାୟ ହୋଇ ଗଡ଼ନ୍ତି ଭୂତଳ ।

କାନ୍ଦନ୍ତି ଉଦର ଛିଣ୍ଡାଇଣ ଉଚ୍ଚସ୍ଵରେ

ବୋଲନ୍ତି ସଖୀମାନଙ୍କୁ ନିଅ ମୋତେ ଥରେ ।

ସ୍ଵାମୀର ରୂପ ଦେଖାଅ ବେଳେ ଏଥୁ ନେଇ

ଏରୂପେ ବୋଲି ଅଇଲେ ଶୀଘ୍ରେ ଘରୁ ଧାଇଁ ।

ଆହା ସ୍ଵାମୀ ବୋଲି ଧଇଲେକ ମଥାଗୋଟି

ଏକରେ ସେ କରେ ଧରି ଚୁମ୍ବନ୍ତି ବିମୋଷ୍ଠୀ ।

ଆନକୁ କହନ୍ତି ସାକ୍ଷୀ କରି ଶୋକଚିତ୍ତେ

ସ୍ଵାମୀର କହିବି କେଉଁ ଗୁଣ କହ ମୋତେ ।

ମୋତେ କହିଥିଲେ ତିନିଜନ୍ମର ଯେ ବାଣୀ

ଆମ୍ଭର ନାମ ଶେଷ ତୋ ନାମ ଈଳା ପୁଣି ।

ଦ୍ଵିତୀୟ ଅବତାରରେ ତୁ ଉର୍ମିଳା ହେବୁ

ଲକ୍ଷ୍ମଣ ହୋଇଣ ଆମ୍ଭେ କେଳି ଯେ କରିବୁ ।

ତୃତୀୟେ ହେବୁ ଆମ୍ଭେ ଶ୍ରୀବଳଭଦ୍ର ମୂର୍ତ୍ତି

ଦ୍ଵାପର ଯୁଗେ ରେବତୀ ହେବ ତୁମ୍ଭେ ସତୀ ।

ତିନି ଜନମର କଥା କହିଥିଲେ ଯେତେ

ଏ ଜନ୍ମଗୋଟି ବିଫଳ କଲ ମୋର ବ୍ୟର୍ଥେ ।

ଆମ୍ଭର ନବ ବୟସ ତୁମ୍ଭେ ନବଯୁବା

ଏ ଭୋଗ ଆମ୍ଭର ଭାଙ୍ଗିଦେଲେ କେଉଁ ବାବା ।

ଗେଲ ହୋଇ ଶୋଇବି ମୁଁ ଯେବେ ପିଠିଦେଇ

ଶ୍ରୀଭୁଜେ ବସାଅ ଟେକି ମୋତେ ଆଉଁସାଇ ।

କେତକୀ ଫୁଲକୁ ଗୁନ୍ଥି ମଥାରେ ମୋ ଖଞ୍ଜି

ବଳେ ମୋର ନେତ୍ରେ ନେଇ କଜ୍ଵଳ ଯେ ରଞ୍ଜି।

ସେ ସୁଖ ଭାଙ୍ଗି ଏବେ ତ ଗଲ ମୋତେ ଛାଡ଼ି

ଭକ୍ତି ଭାବରେ କହିବି କିସ ପୁଣି ଲୋଡ଼ି ।

ପୃଥ୍ଵୀରେ ଜୀବଯାକୁ ଯେ ପ୍ରଭୁ ଅଟେ ମୋକ୍ଷ

ଲଭିଲି ସେ ପ୍ରଭୁ ପତ୍ନୀ ହୋଇ କେଡ଼େ ଦୁଃଖ ।

ସତେହେଁ ସତୀ ଯେବେ ମୁଁ ଶେଷଦେବ ପତ୍ନୀ

ଉଠନ୍ତୁ ଶ୍ରୀସ୍ଵାମୀ ଦେଢ଼ଶୁରୀ ପ୍ରାଣ ଘେନି ।

ଅସୁର ମୁଣ୍ଡକୁ ହାଣି ପକାନ୍ତୁ ସେ ଆଜ

ପତିବ୍ରତା ବାକ୍ୟସିଦ୍ଧି କର ଦେବରାଜ ।

ଶୋକ ପ୍ରତାପରେ ଶାପଦ୍ୟନ୍ତେ ଈଳାଦେବୀ

ହସି କମଳିନୀ ସେହି କଥା ମନେ ଭାବି ।

କମଳା ହସନ୍ତେ ସର୍ବେ ହେଲେ କୁଆବୁଆ

ତାଟକା ହୋଇଣ ମନେ ହୋଇଛନ୍ତି ଠିଆ ।

ଚାହିଁ ରହିଛନ୍ତି ବଦରିକା ନଗ୍ରଯାକ

ପାଞ୍ଚନ୍ତି ଏଥେ ଯେ କଥା ଥିବ ଭଲବାକ୍ୟ ।

କେବୋଲେ କେମନ୍ତେ କେବୋଲଇ କଥା ଅଛି

ଏତେ ଦୁଃଖକାଳେ ହସିଲେକ କମଳାକ୍ଷୀ ।

ନୃସିଂହ ଶେଷକୁ ଦେଲେ ଅସୁର ଯେ ହାଣି

ହସନ୍ତି କି କଥା ପାଞ୍ଚି ଅବା କମଳିନୀ ।

ସ୍ଵାମୀ ଦିଅର ଦୁହେଁ ତ ଛନ୍ତି ମରି ପଡ଼ି

କାନ୍ଦନ୍ତି ଶାଶୁ ଶ୍ଵଶୁର ଦୁହେଁ ଭୂମି ଗଡ଼ି ।

ତହିଁରେ ଦେଖ କମଳା ସୁବେଶ ଯେ ହୋଇ

ନାନା ଅଳଙ୍କାର ସେହୁ ଅଙ୍ଗେ ଛନ୍ତି ଲାଇ ।

କମଳାର ଶୋଭା କେହୁ ମୂଖେ ପାରେ କହି

ଭୂତ ଭବିଷ୍ୟତ ଆଉ ବର୍ତ୍ତମାନେ ନାହିଁ ।

କୁରରୀନୟନୀ ତିଳପୁଷ୍ପ ପ୍ରାୟ ନାସା

ଚାମରକେଶ କନଡ଼ା ପଡ଼ି ମୁଦ୍ରା ଖୋସା ।

ବିସ୍ତାର ଉର ଉଲଟ ରମ୍ଭା ପ୍ରାୟ ଜାନୁ

ପାଦ ଅଳତା ଯେସନେ ଦିଶେ ଉଦେ ଭାନୁ ।

ଭୁଜର ଅଙ୍ଗୁଳି ପଦ୍ମ ମୃଣାଳ କି ଶୋହେ

ପାଦର ଅଙ୍ଗୁଳି ଦିଶେ ଚମ୍ପା କଢ଼ି ପ୍ରାୟେ ।

ଜଗତଜନର ମାତା ମହିମା ଅପାର

ଝସକେତନ କି ଉଦେ ମଣିର ଆକାର ।

କୁନ୍ଦିଲା ଭଉଁରୀ ପ୍ରାୟ ଦିଶେ ନାଭି ଠାଣି

ରକ୍ତ ଉତ୍ପଳ ପରାୟ ଶୋଭା ବେନି ପାଣି ।

ପିନ୍ଧିଣ ଅଛନ୍ତି ମାତା ଯେଉଁ ପାଟଶାଢ଼ୀ

ତହିଁକି ଶୋଭା ଦିଶଇ ସୁବର୍ଣ୍ଣର ଚୂଡ଼ୀ ।

ହୀରାର ତଡ଼କା ପ୍ରଭା କଣ୍ଠେ ରତ୍ନହାର

କଟିରେ ମେଖଳା ଖଞ୍ଜା ଚରଣେ ନୂପୁର ।

ଶ୍ରବଣଶିଖେ ବେଣ୍ଟୁଲା ଗଜମୋତି ଶୋହେ

କପାଳେ ସିନ୍ଦୂର ବିନ୍ଦୁ ରବିଜ୍ୟୋତି ପ୍ରାୟେ ।

ବନ୍ଧୁକ ପୁଷ୍ପ ପରାୟେ ଅଧର ପ୍ରକାଶେ

ଜଗତର ମାତା ସେହି ସମସ୍ତଙ୍କୁ ପୋଷେ ।

ହସି କହିଲେ ଜୀଇଁବେ ମଲା ପ୍ରାଣୀ ଜାଣ

ଯୁବତୀକୁଳକୁ ସେହି ଅଟେ ମୋକ୍ଷ ପାନ ।

ଲକ୍ଷ୍ମୀଙ୍କୁ ଦେଖି ସନ୍ତୋଷ ହ୍ଵନ୍ତି ଜାଣ ସର୍ବେ

ବୋଲନ୍ତି ଯେ କେଡ଼େଭାଗ୍ୟ କରିଥିଲୁ ଆମ୍ଭେ ।

ଏ ନଗରଯାକେ ପୂରିଅଛୁ ଯେତେ ଲୋକ

ଆଜିଯାଏ କରି ନାହୁ ଏପରି ଆଲୋକ ।

ଦିନେ ପଦାକୁ ନାହାନ୍ତି ଲକ୍ଷ୍ମୀ ବିଜେ କରି

ଭାବୁଥାନ୍ତି ଦେଖିବା କିରୂପେ ବୋଲି ଶିରୀ ।

ଅଲଭ୍ୟେ ଦର୍ଶନ ଆସି କଲୁ କମଳିନୀ

ଯେ ଯାହା ପାଞ୍ଚଇ ତାକୁ ମିଳେ କାଳେ ପୁଣି ।

ମହାଲକ୍ଷ୍ମୀଙ୍କୁ ଦେଖନ୍ତି ବୋଲି ସର୍ବେ ଜାଣ

ମାୟାରେ ଯେ ହାଣି ହୋଇଛନ୍ତି ନାରାୟଣ ।

ମିଛ ପ୍ରାୟେ ଲାଗୁଅଛି ଏ ବାଣୀ ତ ଶୁଣି

ସାକ୍ଷାତରେ ଗୋବିନ୍ଦକୁ ପାରିବ କେ ହାଣି ।

କେ ବୋଲଇ ମଲା ଜାଣ ଲୁଚେ ହେଲେ ମିଛ

ନୃସିଂହ ଶେଷଙ୍କ ମୁଖ ଦେଖ ଏ ପ୍ରତ୍ୟକ୍ଷ ।

ତେଣୁ ଭିତରପୁରୁ ଶ୍ରୀ ମହାଲକ୍ଷ୍ମୀ ଆସି

ଦେଖନ୍ତି ସେ ମଲାମୁଣ୍ଡ ଦେବୀ ଶୁଭକେଶୀ ।

କ୍ଷଣକରେ ଆଉ କଥା ସବୁ ଜଣାଯିବ

ଲକ୍ଷ୍ମୀଙ୍କୁ ଦେଖିଲୁ ହେଲା ଏ କଥା ତ ଶୁଭ ।

ଏରୂପେ ବୋଲି ହୁଅନ୍ତେ ଲୋକ କୁହାକୁହି

କହିଲା ସୁମତି ବୃଦ୍ଧ ନାରୀ ଏକ ଚାହିଁ ।

ବୋଇଲାକ ମହାଲକ୍ଷ୍ମୀ ଯହିଁ ବିଜେ କଲେ

ସେ କଥା ଗୋଚର ପୁଣି ହେଲାନାହିଁ ଭଲେ ।

ପୂର୍ବରୁ ଯେ ଅଛି ଏକ ପୁରାତନ ବାଣୀ

ସତ ବୁଝିବାକୁ ବିଜେ କଲେ କମଳିନୀ ।

ନୋହିଲେ ସେ କାହାପାଇଁ ଏଠାକୁ ଆସନ୍ତେ

କାହିଁକି ହସିଲାପ୍ରାୟ ମୁଖ ପ୍ରକାଶନ୍ତେ ।

ଏରୂପେ କହନ୍ତେ ବୃଦ୍ଧାସ୍ତିରୀ ଅନୁମାନେ

ସୁଜାଣ ମନ୍ତ୍ରୀର ପ୍ରିୟା ଶୁଣିଲା ତା କର୍ଣ୍ଣେ ।

ବୋଇଲା ଏଡ଼େକ କଥା ପାରିବ କେ କରି

ସ୍ତିରୀକୁ ଯେ ଅଗ୍ନିକୁଣ୍ଡ ଅଟେ ଗଙ୍ଗାବାରି ।

ଆବର କହୁଛି କିଛି କଥଆ ସର୍ବେ ଶୁଣ

ବିଷ୍ଣୁର ମରଣ କଥା ଅଟେ ମିଥ୍ୟା ଜାଣ ।

କୂଟ ମାୟା ବୋଲି ତ ଏ କିଛି ଜଣା ହୋଇ

ସ୍ତିରୀଙ୍କ ଲକ୍ଷଣ ଶୁଣ କହୁଅଛି ମୁହିଁ ।

ମାତାଙ୍କ ମୁଖରୁ ଶୁଣିଅଛି ଇତିହାସେ

ପତି ମୃତ୍ୟୁ ନୋହୁ ପତ୍ନୀ ବିବର୍ଣ୍ଣା ଯେ ଦିଶେ ।

ପତିର ଆତ୍ମା ଥାଇ ଯେ ତିନି ମାସ ସ୍ତିରୀ

କହିବା ତାର ଶକୁନ ପୁଣ ଦୁଇ ଚାରି ।

ଦିସଇ ଯେ ଓଷ୍ଠ କଳା ମୁଖର ବିକୃତି

ଚକ୍ଷୁର ପିତୁଳା ଡେଇଁ ଲୋତକ ଉତ୍ପତ୍ତି ।

ହସିଲେ ଦଶନପନ୍ତି ବିପରୀତ ଦିଶେ

ମନ ସଦା ଛନ୍ନ ଛନ୍ନ ହୁଏ ଅବଶେଷେ ।

ଅଗ୍ନିର ତପତି ପ୍ରାୟେ ନାସା ବାୟୁ ବହେ

ବଥାଇଲେ ଅଣ୍ଟାପିଠି ମନେ କରି ଭୟେ ।

ଚାହିଁଲେ ଅନ୍ଧାର ଦିଶେ ଦଶଦିଗ ମହୀ

ଭୁଞ୍ଜିଲେ ଯେ ତିକ୍ତ ପ୍ରାୟ ଭୋଜନ ଲାଗଇ ।

ନାଭିର ସେ ପଦ୍ମକୋଷ ଲାଗେ ବସନରେ

ଶ୍ରୀକୃଷ୍ଣ ନାମ ତୁଣ୍ଡେ ନ ବୋଲେ ବସି ଥରେ ।

ସଙ୍ଗରୁ କେହି ଯଦ୍ୟପି ହୁଏ ପୁତ୍ରବତୀ

ତାହାର ଶିରୀ ଦେଖି ନପାରେ ହୋଇ କର୍ତ୍ତି ।

ବାତୁଳ ସ୍ତିରୀଙ୍କ ପ୍ରାୟ କଥା କହୁଥାଇ

ଏରୂପେ ଲକ୍ଷଣ ଆଗୁଁ ଘଟଣା ହୁଅଇ ।

ସୁଲଭ ସୁଲକ୍ଷଣୀ ଯେ ପତିବ୍ରତା ନାରୀ

ସେହୁ ଚିହ୍ନି ଜାଣନ୍ତି ଏ କଥା ହେତୁକରି ।

ତତ୍କାଳେ ଲକ୍ଷଣମାନ ଗୋଚର କରନ୍ତି

ମୁଁ ଏବେ କହଇ ଶୁଣ ଲକ୍ଷ୍ମୀର ଯେ ଜ୍ୟୋତି ।

ଏହି ଦେଖ କମଳାର ଦିଶେ ଓଷ୍ଠ ରଙ୍ଗ

ବିଧବା ସ୍ତିରୀପ୍ରାୟେ ନ ଦିଶେ ଲକ୍ଷ୍ମୀ ଅଙ୍ଗ ।

ଦେଖ ଗୋ ଯୁବତୀ ଏହି ଲକ୍ଷ୍ମୀ ରୂପଗୋଟି

ସହସ୍ର ଚନ୍ଦ୍ରୁ ଅଧିକ ଦିଶେ ମୁଖ ଫୁଟି ।

ଶିରରୁ ତ ପାଦଯାଏ ନିରେଖିଣ ଚାହଁ

ଗୋଟିଏ ଅଲକ୍ଷଣ ନ ଦିଶେ ଲକ୍ଷ୍ମୀ ଦେହ ।

ଶୁଣି ଏହା ସତ ସତ ଯୁବତୀ ବୋଲନ୍ତି

ଦେଖ ଶେଷଦେବ ପତ୍ନୀ କି ଶୋଭା ଦିଶନ୍ତି ।

ଏତେ ଯେ ଡକା ପାରିଣ ରୋଦନ କରନ୍ତି

ଟିକିଏ ଅଲକ୍ଷଣ ନ ଦିଶେ ତାଙ୍କ ମୂର୍ତ୍ତି ।

ସ୍ତିରୀ ଲକ୍ଷଣ ପୁରୁଷ ନୁହଇ ଯେ ରୋଗୀ

ସ୍ତିରୀ କର୍ମ ଘେନି ହୋନ୍ତି ପୁରୁଷଟି ଭୋଗୀ ।

ଦୟା ଧର୍ମ କଥାରେ ସ୍ତ୍ରୀ ଯେବେ ନିତ୍ୟ ଥାଇ

ତାହାର କୁଳ ଉଜ୍ଜ୍ଵଳ ନିଶ୍ଚୟ ହୁଅଇ ।

ପାଳନ୍ତି ଶ୍ରୀ ମହାଲକ୍ଷ୍ମୀ ଈଳା ପତିବ୍ରତା

ଏହାଙ୍କ ଯୋଗୁ ଜୀଇଁବେ ନିଶ୍ଚେ ବେନିଭ୍ରାତା ।

ମନ୍ତ୍ରୀର ଭାରିଯା ତହୁଁ କହନ୍ତେ ଏ ବାଣୀ

ଭଗବତୀ ମାତା ଉଠିଲେକ ତାହା ଶୁଣି ।

ଶ୍ରୀମହାଲକ୍ଷ୍ମୀ ଓଷ୍ଠ ଧଇଲେକ ଶାଶୁ

ବୋଇଲେ କମଳା ମାଗୋ କାହିଁକି ତୁ ହସୁ ।

ସ୍ଵାମୀ ଦିଅର ହାଣରେ ତୋର ଛନ୍ତି ପଡ଼ି

ଆମ୍ଭର ତା ଦେଖି ପ୍ରାଣ ଯାଉଅଛି ଛାଡ଼ି ।

ଆମ୍ଭ ସାହସ ଉଡୁଛି ତାହାଙ୍କ ସକାଶୁ

ତୁ ମୋର ଭିତର ପୁରୁ ହସି ହସି ଆସୁ ।

କି ସନ୍ଧିଥିଲେ ଗୋ ମୋତେ ଏବେମାତା

ତୋ ମୁଖୁ ଶୁଣିଣ ମୋର ହୃଦେ ବସୁଚେତା ।

ଶୁଣିଲି ଶକୁନ କଥାମାନ କହିବାରୁ

ତେଣୁ ମୁଁ ପୁଚ୍ଛଇ ତୋତେ ପ୍ରସନ୍ନ ମୁଖରୁ ।

ସ୍ଵାମୀ ଦିଅର ତୋହର ନୁହନ୍ତି କି ଏହି

ଆମ୍ଭେ ଦେଖିଲୁ ପଡ଼ିଛି ଛିଡ଼ି ମୁଣ୍ଡ ଦୁଇ ।

ଲକ୍ଷ୍ମୀ ବୋଇଲେ ମାତା ଗୋ ତୁମ୍ଭେ ଗୁରୁଜନ

ତୁମ୍ଭ ଛାମୁରେ କହୁଛି ଜାଣ ମୋର ଜନ୍ମ ।

ଯେବଣ କାଳରେ ଭୃଗୁକଲେ ମୋତେ ଜାତ

ବସିଲେ ବ୍ରହ୍ମରେ ହେତୁ ରଖି ତପୋବନ୍ତ ।

ଋଷିଙ୍କର ମନ କଥା ଜାଣି ଭଗବାନ

ଏକ ଅଙ୍ଗ ବେନି ଭାଗ କଲେ ଜନାର୍ଦ୍ଦନ ।

ଅର୍ଦ୍ଧେକ ପୁରୁଷ ଅର୍ଦ୍ଧେ ସ୍ତିରୀରୂପ ହେଲେ

ବେନି ମୂର୍ତ୍ତି ହୋଇ ଋଷିଙ୍କୁ ଯେ ଦେଖାଦେଲେ।

ପ୍ରକାଶ ହୋଇଣ ହରି ଲକ୍ଷ୍ମୀ କର ଧରି

ବୋଇଲେ ସଖିରେ ମୋର ଅଟୁ ମନୋହାରୀ ।

ମୁଁ ଅଟେ ଜୀବ ପିତା ତୁ ଅଟୁ ଲୋକମାତା

ଏଣୁ ଯେ ବୋଲାଉ ଆମ୍ଭେ ଦୁହେଁ ସୃଷ୍ଟିକର୍ତ୍ତା ।

ଏକଇ ଅଙ୍ଗ ହେଲଇଁ ଆମ୍ଭେ ମୂର୍ତ୍ତି ବେନି

ସର୍ବଦା ଆମ୍ଭେ ଯେ ଥାଇ ସର୍ବ ଲୟ ଘେନି ।

ଯେହୁ ମରଇ ତାହାକୁ ଲୟ ବୋଲି ଜାଣ

ନୁହଇ ପ୍ରଳୟ କେବେ ଲକ୍ଷ୍ମୀ ନାରାୟଣ ।

ପୁରୁଷ ମଲେ ଭାରିଯା ହୁଅଇ ବିଧବା

ଆମ୍ଭେ ଅମର ସର୍ବଦା ତୁମ୍ଭେ ନବଯୁବା ।

ତୁମ୍ଭଙ୍କୁ ବିଧବା ଯୋଗ କେବେ ନାହିଁ ଜାଣ

ବ୍ରହୁ ପ୍ରଳୟ ହେଲେହେଁ ଆମ୍ଭେ ଏକବ୍ରହ୍ମ ।

ଲକ୍ଷ୍ମୀ ବୋଇଲେ ଶୁଣିମା ହେଉ ତେବେ ହରି

ତଥାପି ମନ୍ଦ ହେଲେ ମୁଁ ଜାଣିବି କି କରି ।

ହରି ବୋଇଲେ ଦୋଗାଧା ମନେ ଯେବେ କଲ

ତହିଁକି କଥାଏ ଶୁଣ କହିଥିବା ଭଲ ।

ତୁମ୍ଭଙ୍କୁ ମନରେ ଶଙ୍କା ଲାଗିବ ଯେ ଦିନ

ସେ ଦିନ ଭଜିବ ହୃଦେ ଚିନ୍ତି ଭଗବାନ ।

ଅନାମିକା ଅଙ୍ଗୁଳିରୁ ତରଜନୀ ଯାଏ

ମନ୍ତ୍ରକୁ ଭଜି କରିବ ଧ୍ୟାନେ ମୋତେ ଲୟେ ।

ସେହିକ୍ଷଣି ତୁମ୍ଭ ଆଗେ ହେବୁ ଆମ୍ଭେ ଉଭା

ସର୍ବଦା ତୁମ୍ଭର ମୁଖ ଦିଶିବ ଗୋ ଶୋଭା ।

ଆବର ଦର୍ପଣ ଘେନି ମୁଖ ଚାହିଁ ଦେବ

ମଳିନ ଦିଶିଲେ ମନ୍ଦ ଆମ୍ଭଙ୍କୁ ଯେ ହେବ

ମଳିନ ତୁମ୍ଭର ମୁଖ କେବେ ହେବ ନାହିଁ

ତେଣୁ ସେ କେବେ ଆମ୍ଭେ ନ ମରୁ ପ୍ରାଣସହ ।

ଏରୂପେ କହନ୍ତି ମହାଲକ୍ଷ୍ମୀ ଶାଶୁ ଆଗେ

ଶୁଣିଣ ଯେ ଭଗବତୀ ସ୍ଥିର ହେଲେ ବେଗେ ।

ବୋଇଲେ ଶୁଣ ତୁ ମାଗୋ ବିଷ୍ଣୁ ପାଟରାଣୀ

ବ୍ୟଗ୍ରେ କର ଚିନ୍ତା ଦେଖିବାର ଚକ୍ରପାଣି ।

ଶାଶୁଙ୍କ ଆକୁଳ ଶୁଣି ଜଗତର ମାତା

ପଦ୍ମାସନେ ବସିକଲେ ନୃସିଂହକୁ ଚିନ୍ତା ।

କମଳା ଚିନ୍ତିବା ଜାଣିପାରି ଭଗବାନ

ଜାଣିଲେ ମାତା ପିତାଙ୍କ ଶୋକ ଜନାର୍ଦ୍ଦନ ।

ଅସୁର ଯେ ମାୟା କଲା ବୋଲି ବିଚାରିଲେ

ସୂର୍ଯ୍ୟାବର୍ତ୍ତକ ଯେ ଶର ତକ୍ଷଣେ ବିନ୍ଧିଲେ ।

କୁହୁଡ଼ି ନାଶି ମନ୍ତ୍ରୀକୁ ଦେଲେ ପ୍ରଭୁ ଆଜ୍ଞା

ବୋଇଲେକ କର୍ଣ୍ଣାଟକୁ ରଖିବ ମୋ ପ୍ରଜ୍ଞା ।

ନୃସିଂହ ଗଣ ଯାକଙ୍କୁ ଚାହିଁ ଭଗବାନ

ବୋଇଲେ ଉଠିଣ ବେଗେ ମୋର ଦୈତ୍ୟସୈନ୍ୟ ।

ଆଠପଦ୍ମ ସୈନ୍ୟଙ୍କୁ ସେ ନୃସିଂହ ଲକ୍ଷେକ

ତୁମ୍ଭଙ୍କୁ ନାମ ତା ମଧ୍ୟେ କିଛି କହିବାକ ।

ଅଭୟ ନୃସିଂହ ପୁଣି ସଭୟ ନୃସିଂହ

ସୋହଂସ ନୃସିଂହ ପୁଣି ସୁଘୋଷ ନୃସିଂହ ।

ମହାଉଗ୍ର ନୃସିଂହ ଯେ ବେତାଳ ନୃସିଂହ

ମହାଭଦ୍ର ନୃସିଂହ ଯେ ରଉଦ୍ର ନୃସିଂହ ।

ମହା ବିକଟ ନୃସିଂହ ବିରାଜ ନୃସିଂହ

ମହା ବିହଡ଼ି ନୃସିଂହ ବିଦାର ନୃସିଂହ ।

ମହାବିହଡ଼ ନୃସିଂହ ଭୀଷଣ ନୃସିଂହ

ମହାଭୈରବ ନୃସିଂହ ଭୈରବୀ ନୃସିଂହ ।

ବରାହ ନୃସିଂହ ଆଉ ବିକଟ ନୃସିଂହ

ମହାତେଜ ନୃସିଂହ ଯେ ସୁଶାନ୍ତି ନୃସିଂହ ।

ସୁଭଟ ନୃସିଂହ ପୁଣି ଉଦ୍ଭଟ ନୃସିଂହ

ଅଘୋଟ ନୃସିଂହ ମହାସୁଘଟ ନୃସିଂହ ।

ସୁଭଦ୍ରା ନୃସିଂହ ଆଉ ଅନନ୍ତ ନୃସିଂହ

ଶ୍ରୀଅନାଦି ନୃସିଂହ ଯେ ଜିଅର ନୃସିଂହ ।

ମହାସିଦ୍ଧ ନୃସିଂହ ଯେ ଶ୍ରୀଲକ୍ଷ୍ମୀ ନୃସିଂହ

ଏହିରୂପେ ନୃସିଂହ ଯେ ହେଲେ ବିଷ୍ଣୁଅଙ୍ଗ ।

ନିଜ ମଥାକୁ ଚାହିଁଣ ପୁଣି ନାରାୟଣ

ମୁଣ୍ଡର ପୁରୁଷ ଜାତ କଲେ ତତକ୍ଷଣ ।

ତାର ନାମ ମୃତ୍ୟୁ ଜାଣ ସବୁ ମୁଣ୍ଡେ ବସେ

ଆତ୍ମ ପୁରୁଷକୁ ଧରି ନିରନ୍ତରେ ଗ୍ରାସେ ।

ଗ୍ରାସୁ ଗ୍ରାସୁ ଆୟୁଷ ଯେ ଦିନୁ ଦିନୁ ଛିଡ଼େ

ସେ ପାଞ୍ଚୁଥାଇ ଭେଣ୍ଡା ମୁଁ ହେଉଥାଇ କେଡ଼େ ।

ମରିବା କଥା ଗୋଟିକ କେବେ ନ ଜାଣଇ

ଯେ ଯାହା ଭାଗ୍ୟରୁ ତେଜିବି ଯେ ଜୀଇଁଥାଇ ।

କାଳ ଶରୀରରୁ ଏହି ଆତ୍ମା ହୁଏ ଜାତ

ସେ କାଳଟି ମୃତ୍ୟୁ ଜାଣ ଅଟେ ବିଷ୍ଣୁ ସତ୍ୟ ।

ବିଷ୍ଣୁ ପ୍ରକାଶନ୍ତି ଏ ଛପନ କୋଟି ଜୀବ

ଛପନ କୋଟି ବର୍ଣ୍ଣରେ ଆତ୍ମା ହୁଏ ଧ୍ରୁବ ।

ମନୁଷ୍ୟବର୍ଣ୍ଣ ଗୋଟିଏ ରୂପ ଜାଣ ଏକା

ଏରୂପେ ଛପନ କୋଟି ଜୀବ ହୁଏ ଲେଖା ।

ବିଷ୍ଣୁର ମହିମା ମୁଖେ କେ ପାରିବ କହି

ନୃସିଂହ କହିଲେ ମୃତ୍ୟୁ ନୃସିଂହକୁ ଚାହିଁ ।

ଅଲୋପି ସଲୋପି ଅଛନ୍ତି ଯେ ବେନି ଦୈତ୍ୟ

ତାହାକୁ ଯେ ମାର ବେଗ କରି କଣ୍ଠଗ୍ରତ ।

ନୃସିଂହଗଣ ମାରନ୍ତୁ ଯାଇ ଦୈତ୍ୟବଳ

ଶୁଣିଣ ସକଳ ଧାଇଁଗଲେ ତତକାଳ ।

ତୀର କମାଣ ଯେ ଧନୁ ଧରି ଯେଝା କରେ

ଅସୁରଥାଟ ବେଢ଼ିଲେ ଯାଇ କୋପଭରେ ।

ରେରେକାର କରି ସର୍ବେ ପଡ଼ିଲେକ ମାଡ଼ି

ବାଜଇ ଟମକ ବିଜିଘୋଷ ଯୋଡ଼ି ଯୋଡ଼ି ।

ମର୍ଦ୍ଦଳ ତାଳ କାହାଳି ଶ୍ରୀନୃସିଂହ ତାଳ

ଦମ ଦମ ଦୁଲୁଦୁଲୁ ଶୁଭେ ଅନ୍ତରାଳ ।

ଘୁମୁରା ଯେ ଘୁମୁ ଘୁମୁ ଶୁଭେ ଘୋରନାଦ

ସକଳ ନୃସିଂହଙ୍କର ବିକରାଳ ଶବ୍ଦ ।

ହୁଳହୁଳି ଦେଇ ନାଚନ୍ତି ସେ କୁତୂହଳେ

ବୋଲନ୍ତି ଦୈତ୍ୟର ଏବେ ଯିବ ଯମଆଳେ ।

କ୍ଷଣକରେ ଉଗ୍ର କେହୁ କ୍ଷଣେ ଘୋରମୂର୍ତ୍ତି

କ୍ଷଣକେ ଘୋଟେ କେ ପାଞ୍ଚଶତ କୋଟି କ୍ଷିତି ।

କାହାର ଯେ ଦାନ୍ତପାଟି ଶୁଭେ ରଟ ରଟ

ସୂର୍ଯ୍ୟର ପ୍ରାୟ କାହାର ଦିଶେ ଚକ୍ଷୁବାଟ ।

ନାସା ବାତାଘାତେ ଗିରିବର ଯାନ୍ତି ଉଡ଼ି

କେ କର ବୁଲାନ୍ତେ ବୃକ୍ଷେ ପଡ଼ନ୍ତି ଯେ ଛିଡ଼ି ।

କେ ବୋଲଇ ମାର ମାର ଧରି ବେଗେ ହାଣ

ମୁଣ୍ଡକୁ ମୋଡ଼ି ପକାଇ ତୋଟି ବେଗେ ଝୂଣ ।

ଏରୂପେ ନୃସିଂହଗଣ କୋଳାହଳ କରି

ଜଣେ ଜଣେ ପଡ଼ିଗଲେ ଦୈତ୍ୟଙ୍କ ଉପରି ।

ଏଥୁ ଉତ୍ତାରେ ଯେ ବାଣୀ ଶୁଣ ହେ ନାରଦ

ଗୃହକୁ ଯିବାକୁ ସଜ ହୋଇଲେ ଗୋବିନ୍ଦ ।

ଭାଭଙ୍କି ବୋଇଲେ ଯିବା ନଗ୍ରକୁ ହେ ଆସ

ଏହିକ୍ଷଣି ଗଲା ବୃକା ମାତା ପିତା ପାଶ ।

ତୁମ୍ଭ ଆମ୍ଭ ରୂପେ ଦୈତ୍ୟ ଯୋଡ଼ାଏକ ନେଲା

ମୁଣ୍ଡହାଣି ପିତାମାତା ଆଗେ ଦେଖାଇଲା ।

ଦେଖି ଗଡୁଛନ୍ତି ଶୋକେ ଭଗବତୀ ରାଣୀ

ଏତେକ ବୋଲି ଗରୁଡ଼େ ବିଜେ ଚକ୍ରପାଣି ।

ଶେଷଦେବ ବିଜେ କଲେ ଦେବଯାନ ରଥେ

ତକ୍ଷଣେ ନଗ୍ରେ ମିଳିଲେ ଯାଇ ଜଗନ୍ନାଥେ ।

ଶେଷ ବୋଇଲେ ଶୁଣିମା ହେଉ ଚକ୍ରପାଣି

ଆଜ୍ଞାଦେଲେ ଦୈତ୍ୟକୁ ମୁଁ ପକାନ୍ତି ଯେ ହାଣି ।

ପିତାମାତାଙ୍କର ଆଗେ ମାୟା ଯେବେ କଲା

ଏହିକ୍ଷଣି ତାକୁ ହାଣି ପକାଇବି ଭଲା ।

ଶେଷଦେବଙ୍କର କୋପ ଶ୍ରୀନୃସିଂହ ଶୁଣି

ବୋଇଲେ ଦୋଷୀ ଲୋକକୁ ଏରୂପେ ନ ହାଣି।

କ୍ଷତ୍ରୀମାନଙ୍କୁ ଏ ଜାଣ ଅଟଇ ଅଧର୍ମ

ହସ୍ତରେତ ନଥିଲେ ଧନୁ ନକରି ସଂଗ୍ରାମ ।

ଶବବୁହା ଲୋକକୁ ମାଇଲେ ବଡ଼ ଦୋଷ

ବିଧିରେ ଶବକୁ ବହି ଆସିଛି ରାକ୍ଷସ ।

ଯେ ପ୍ରାଣୀଟି ଗ୍ରାସଅର୍ଥେ ଭୁଞ୍ଜି ବସିଥାଇ

ତାକୁ ମାଇଲେଗୋହତ୍ୟା ଦୋଷ ଜାଣହୋଇ ।

ସ୍ତିରୀ ପୁରୁଷରତି ଯେ ପ୍ରାଣୀ ଯାଇ ଦେଖେ

ଶତେକ ଜନ୍ମଯାକେ ସେ ମରେ ଅପୁତ୍ରିକେ ।

ମୃତ୍ୟୁ ଶବଟିକୁ ବହିଥାନ୍ତି ଯେତେ ନର

ଚନ୍ଦ୍ରେ ଗ୍ରାସିଲେ କି ରାହୁ ନୁହେଁ ଅସଂସ୍କାର ।

ସ୍ନାନ କଲେ ଯାଇ ସର୍ବେ ହୁଅନ୍ତି ଯେ ସୁଦ୍ଧ

ଶବକୁ ବହିବା ଲୋକ ଅଟଇ ଅମେଧ୍ୟ ।

ନାରାଚ ଗଦା ଯେ କୁନ୍ତ ଧରିନାହିଁ କର

ଉଲ୍ଲୁକ ପରାୟେ ବସିଅଛି ବୃକାସୁର ।

ବଦ୍ରିକା ନଗରଯାକ ଅଟେ ଯଜ୍ଞଭୂମି

ଏ ନଗ୍ରେ ଯମ ପଶି ନପାରେ କେବେ ଗମି ।

ଆମ୍ଭଙ୍କୁ ଦେଖିଣ ଦୈତ୍ୟ ପଳାଇଣ ଯିବ

ନଗ୍ର ବାହାରେ ମାରିବ ତାକୁ ଶେଷଦେବ ।

ମାରିବାପାଇଁ ଆସିଛି ଏଥେ ଦୈତ୍ୟ ଜାଣ

ଆବର ପ୍ରହରେ ତାର ଅଛଇ ପରାଣ ।

ଆତୁର ହେବା କଥାତ ନୁହେଁ କେବେ ଭଲ

କରିବା ବିଚାର କର କାର୍ଯ୍ୟ ସମତୁଲ ।

ବିଷୟ ବୁଝା ଲୋକଙ୍କୁ ବୋଲି ସର୍ବେ ବଡ଼

ଧର୍ମରେ ଥିବା ଲୋକଙ୍କୁ ସାହା ଯୋଗାରୁଢ଼ ।

ରଜସ୍ଵଳା ସ୍ତିରୀଙ୍କି ଛୁଇଁଲେ ଯେତେ ଦୋଷ

ମୃତଶବ ବାହିବା ଲୋକଟି ସେ ସଦୃଶ ।

ତେଣୁକରି ତଇଳ ଗୋମୟ ଲେପି ହୋନ୍ତି

ସ୍ନାହାନ ସନ୍ଧ୍ୟା ସାରିଣ ଗୃହକୁ ଆସନ୍ତି ।

ଦୈତ୍ୟଛାରକୁ ମାରିବା କିମ୍ପା ଏତେବେଳେ

ମାତାଙ୍କୁ ଦର୍ଶନ ଚାଲ କରିବା ଚଞ୍ଚଳେ ।

ଶେଷଦେବ ବୋଇଲେ ଏ କଥା ଗୋଟି ସତ

ବଡ଼ଲୋକ ବଚନ ନ କରେ ଅଲଙ୍ଘିତ ।

ସାନ ହେଉ ବଡ଼ ହେଉ ବାକ୍ୟ ଥିବ ମାନି

ସେ ଲୋକର ମହତ୍ତ୍ଵଟି ନୁହେଁ କେବେ ହାନି ।

ଏରୂପେ କଥା ନୃସିଂହ ବେନି ଭାଇ ହୋଇ

ଗରୁଡ଼କୁ ବୋଇଲେ ତଳକୁ ଖସ ଚାହିଁ ।

ଏହା ଶୁଣି ଗରୁଡ଼ ଯେ ମନେ ଅଳ୍ପ ହସି

ଶୂନ୍ୟରୁ ତଳକୁ ଧୀରେ ଧୀରେ ପଡ଼େ ଖସି ।

ସେଠାବରେ ନଗ୍ରଲୋକ ଯେତେ ଦେଖୁଥିଲେ

ଧନ୍ୟ ଧନ୍ୟ ମହାଲକ୍ଷ୍ମୀ ବୋଲି ପ୍ରଶଂସିଲେ ।

ଭଲା ସେ ପ୍ରସନ୍ନ ବିଦ୍ୟା ତୋହଠାରେ ଅଛି

ଚିନ୍ତିବା ମାତଚ୍ରକେ ଆସି ମିଳିଲେ ଶ୍ରୀବତ୍ସି ।

ଭାଇଙ୍କି ସଙ୍ଗତେ ଧରିଛନ୍ତି ବିଜେକରି

ଭଲା ତୋର ତପ କୃଷ୍ଣ ବଲ୍ଲଭର ନାରୀ ।

କେ ବୋଲଇ ଅନ୍ନ ମେଞ୍ଚି ନେଇ ନିଉଛାଅ

ବେନି ଭାଇଙ୍କ ଯେ ଊଣା ଅଛି ମୁଣ୍ଡେ ଦିଅ ।

କେବୋଲେ ଗୋବର ବିଣ୍ଡା ମାର ଅସୁରଙ୍କୁ

ଆସିଅଛି କେଉଁ ଲାଜେ ଦେଖି ନୃସିଂହକୁ ।

ବସି ବୃକାସୁର ଉଠିଲାକ ମନ ଛନ୍ନେ

ଶେଷ ମୃତ୍ୟୁ ଶବ ଘେନି ପକାଇଲା ଶୂନ୍ୟେ ।

ଗଙ୍ଗାରେ ମେଲଣି ତାଙ୍କୁ ସ୍ନାନ ବେଗେ କଲା

ଆପଣା ଥାଟରେ ଯାଇ ପ୍ରବେଶ ହୋଇଲା ।

ଏଥିଉତ୍ତାରେ ନୃସିଂହ ବେନିଭାଇ ଖସି

ପହଣ୍ଡି ବିଜେ ପରାୟେ ଉଭା ହୋଇ ଆସି ।

ଶେଷଦେବଙ୍କ ଭୁଜ ଧରି ବିଜେକଲେ

ମାତା ପିତାଙ୍କର ଆଗେ ପ୍ରବେଶ ହୋଇଲେ ।

ନିରେଖି ରହିଲେ ଦଣ୍ଡେଯାଏ ଭଗବତୀ

ବୋଇଲେ ଫିଟିଲା ଏବେ ମୋର ମନୁଭ୍ରାନ୍ତି ।

ତହିଁ ଉତ୍ତାରୁ ପୁତ୍ରଙ୍କ ଓଷ୍ଠ ମାଏ ଧରି

ଆସିଲ କିହୋ ମୋ ବାପ ବୋଲି କୋଳକରି ।

ତୁମ୍ଭଙ୍କୁ ନ ଦେଖି ମୋର ସାହା ଉଡ଼ୁଥିଲା

ଏବେ ମୋର ପାଞ୍ଚପ୍ରାଣ ଦେହେ ପ୍ରକାଶିଲା ।

ଦଇତ୍ୟ ଚଣ୍ଡାଳ ଦେଖି ଯୋଡ଼ା ମୁଣ୍ଡ ହାଣି

ତୁମ୍ଭରି ରୂପ ପରାୟ ଦେଖାଇଲା ଆଣି ।

ଥିବାରୁ ପରମଲକ୍ଷ୍ମୀ ମୋର କୁଳବଧୂ

ଦେଖିଲି ପୁତ୍ର ବେନି ଲକ୍ଷ୍ମୀ ପରସାଦୁଁ ।

ଅନନ୍ତ ବୋଇଲେ ମାଗୋ ଶୁଣ ଗର୍ଭଧାରୀ

ସାକ୍ଷାତେ କମଳା ସେହି ଭୃଗୁଙ୍କ କୁମାରୀ ।

ତେଣୁ ସେ ଭାର୍ଗବୀ ନାମ ଅଟେ ତାହାଙ୍କର

ଭୂତ ଭବିଷ୍ୟତ କଥା ଜାଣନ୍ତି ତତ୍ପର ।

ସେ ଆମ୍ଭର ଗୃହେ ଥାନ୍ତେ ତୁମ୍ଭର କି ଭୟେ

କୋଟି କୋଟି କଷଣକୁ କରନ୍ତି ସେ କ୍ଷୟେ ।

ଏ ଜନ୍ମ ମିଶି ଜନ୍ମିବେ ସେହୁ ତିନି ଥର

ଆଦ୍ୟରେ ଏ ମହାଲକ୍ଷ୍ମୀ ଅଟେ ଅବତାର ।

ତ୍ରେତାଯୁଗରେ ଜନକ ଘରେ ହେବ ଜାତ

ସୀତା ନାମ ବହିବେ ସେ ଜଗତର ମାତ ।

ପୁଣିହିଁ ଦ୍ଵାପରଯୁଗେ ହୋଇବେ ରୁକ୍ମିଣୀ

ଏକଥାଯାକ ପୁରାଣେ ଆମ୍ଭେ ଅଛୁ ଜାଣି ।

ନୃସିଂହ ବୋଇଲେ ମାଗୋତୁମ୍ଭେ ଆମ୍ଭମାତା

ଆମ୍ଭ ସମାନ ଅଟନ୍ତି ଜାଣ ଭୃଗୁସୁତା ।

ଯାହାଙ୍କ କନ୍ଧରେ ଲକ୍ଷ୍ମୀ ବିଜେ କରିଥାନ୍ତି

କେବେହେଁ ତାହାକୁ ଅପଘାତ ନ ପୀଡ଼ନ୍ତି ।

କମଳା କନ୍ଧୁ ଖସନ୍ତି ଯାର ନିଶ୍ଚେ ଜାଣ

ତାହାଙ୍କୁଟି ଅପମୃତ୍ୟୁ ଘୋଟେ ଅଳ୍ପକେଣ ।

କମଳା କାନ୍ଧେ ଥିଲେ ନ ପାରେ ଯମ ନେଇ

ଲକ୍ଷ୍ମୀ କନ୍ଧୁ ଗଲେ ମନ୍ଦ ପ୍ରକୃତି ଯେ ହୋଇ ।

କମଳା ଖସିଲେ କନ୍ଧୁ ହୁଏ ବୁଦ୍ଧି ନୀଚ

ଘେନଇ ସେ ଅପଖ୍ୟାତି ହୋଇ ପରପଞ୍ଚ ।

ଲୋକକୁ ଦିଅଇ ଦୁଃଖ ନାନାବିଧ କ୍ଲେଶ

ଅଳ୍ପକେ ମରନ୍ତେ ନୋହେ ଚିର ଯେ ଆୟୁଷ ।

ପାପିଷ୍ଠ ମଲେ ବୋଲନ୍ତି ପାପ ଏଥୁ ଗଲା

ସୁବିଜ୍ଞ ମଲେ ବୋଲନ୍ତି ଭଲ ଯେ ନହେଲା ।

ଶ୍ରୀହରି ପୁତ୍ର ଯେ ତୁମ୍ଭ ଲକ୍ଷ୍ମୀ ଅଟେ ବଧୂ

ଏବନେ ଥାଆନ୍ତେ ଘରେ କିମ୍ପା ମାତା କାନ୍ଦୁ ।

ଶୁଣିଣ ସେ ଭଗବତୀ ଆନନ୍ଦିତ ହେଲେ

ପୁତ୍ର ବଧୂକୁ ଘେନିଣ ଗୃହେ ଚଳିଗଲେ ।

ଚଉଷଠୀ ସସ୍ର କନ୍ୟା ଆଉ ଅଷ୍ଟ ସଖୀ

ଚାମର ଢାଳନ୍ତି ଧୀରେ ଯାଇ ଶଶିମୁଖୀ ।

କୃଷ୍ଣବଲ୍ଲଭ ଆନନ୍ଦ ନୁହଇ ଯେ କହି

ଚଳିଲେକ ଈଳାଦେବୀ ସୁବେଶ ଯେ ହୋଇ ।

ଦେଖି ନଗ୍ରଲୋକେ ବଡ଼ ସନ୍ତୁଷ୍ଟ ହୋଇଲେ

ଅସୁରେ ମରନ୍ତୁ ବୋଲି ହୁଳହୁଳି ଦେଲେ ।

କନଡ଼ା ମାଳଶ୍ରୀ ରାଗେ ଗୀତମାନ ଗାଇ

ରହିଲେ ଅତି ଆନନ୍ଦେ ଯେଝା ଗୃହେ ଯାଇ ।

ଶ୍ରୀନୃସିଂହ ବେନିଭାଇ ସନ୍ଧ୍ୟାପୂଜା ସାରି

ଷୋଡ଼ଶ ଉପଚାରରେ ଦେବପୂଜା କରି ।

ଆସନ ଗଡୁ ଯେ ପାଦ୍ୟ ଅର୍ଘ୍ୟ ମଧୁପର୍କ

ବସନ ସ୍ଵାଗତ ଜଳ ଆଭରଣ ଯାକ ।

ନୈବେଦ୍ୟ ଚନ୍ଦନ ଧୂପ ଦୀପ ଆଚମନ

ଏ ବିଧି ପୂଜା ସାରିଣ ଉଠି ଭଗବାନ ।

ମାତା ପିତାଙ୍କ ସହିତେ ଭାଇ ଘେନି ସଙ୍ଗେ

ମଣୋହି ସ୍ଥାନରେ ବିଜେ କଲେ ଯାଇ ବେଗେ।

ଷଡ଼ରସରେ ଯେ ପାକ ରାନ୍ଧିଥିଲେ ଲକ୍ଷ୍ମୀ

ସମସ୍ତଙ୍କୁ ଭୁଞ୍ଜାଇଣ ଭୁଞ୍ଜି ଅନ୍ତର୍ଯ୍ୟାମୀ ।

ଆଚମନ ସାରି ଆସନରେ ବିଜେ କଲେ

ମହାଲକ୍ଷ୍ମୀଙ୍କୁ ଚାହିଁ ଶ୍ରୀମୁଖେ ଆଜ୍ଞା ଦେଲେ ।

କ୍ଷୁଧାର୍ତ୍ତୀ ହୋଇଣ ଧାଇଁ ଆସିଲୁରେ ସଖି

ତତ୍କାଳେ ଆମ୍ଭଙ୍କୁ ଷଡ଼ରସ ଦେଲୁ ଦେଖି ।

ଏବେ ସେ ନୃସିଂହଗଣ ଯୁଦ୍ଧଛନ୍ତି ଲାଗି

ତାଙ୍କୁ ଦୟାକରି ମିଳୁ ସୁଭୋଜନ ବେଗି ।

ବୁଝିଲେ ସଂସାରଯାକ ତୁହି ସିନା ପାଳୁ

ଭକ୍ଷନ୍ତୁ ନୃସିଂହଗଣ ତୁମ୍ଭ କୃପାବଳୁ ।

କର୍ଣ୍ଣାଟେଶ ରାଜା ପୁଣି ଯେ ମନ୍ତ୍ରୀ ସୁଜାଣ

ଖଗେଶ୍ଵର ସହ ତୋଷ ହୁଅନ୍ତି ଭୁଞ୍ଜିଣ ।

ଶୁଣିଣ ସେ ମହାଲକ୍ଷ୍ମୀ ସ୍ଵାମୀ ଆଜ୍ଞା ଗୋଟି

ଚାହିଁଲେ ସେ ସମସ୍ତଙ୍କୁ କରି ଏକଦୃଷ୍ଟି

ସବୁରି ଆଗେ ମିଳିଲା ଯାଇ ଷଡ଼ରସ

ହସ୍ତେ ପଡ଼ନ୍ତେ ତକ୍ଷଣେ କଲେ ସର୍ବେଗ୍ରାସ ।

ବୋଲନ୍ତି ହେ ଧନ୍ୟ ଧନ୍ୟ ଶ୍ରୀନୃସିଂହ ପ୍ରଭୁ

କମଳା ଦୟା କଲେକ ତୁମ୍ଭଦୟା ସବୁ ।

ଗୋବିନ୍ଦ ଆଶ୍ରୟ କଲା ଲୋକେ ଭାଗ୍ୟବନ୍ତ

ତାହାଙ୍କୁ ସର୍ବେ ବୋଲନ୍ତି ଜାଣି ବିଷ୍ଣୁଭକ୍ତ ।

ଏହି ରସ ସୁଧାପାନ ଆନେ ମିଳନ୍ତା କି

ଏରୂପେ ବୋଲି ଅମୃତ ଦେଲେ ସର୍ବେଢୋକି ।

ମହାବଳିଷ୍ଠ ହୋଇ ସେ କଲେ ଘୋର ଯୁଦ୍ଧ

କର୍ଣ୍ଣାଟେଶ ଯୁଦ୍ଧେ କଲେ ଅସୁରଙ୍କୁ ବଧ ।

ନାଶିଲେ ସୁଜାଣ ମନ୍ତ୍ରୀ ଦୈତ୍ୟ ପଦ ଦୁଇ

ନୃସିଂହଗଣଙ୍କୁ କହିଲେକ ଚିତୁଆଇ ।

ବୋଇଲେ ଅସୁରବଂଶ ନିପାତ ଯେ କର

ନୃସିଂହ ଠାକୁର ଆସି କରନ୍ତୁ ସମର ।

ଶୁଣିଣ ନୃସିଂହଗଣ ଧାଇଁ ଧାତିକାରେ

ପିଟିଲେ ବଜ୍ର ଶକତି ଦୈତ୍ୟଙ୍କ ମୁଣ୍ଡରେ ।

ଜଣକେ ପାରନ୍ତି ଦୈତ୍ୟମାନେ ଗିରିଟାଳି

ନୃସିଂହଗଣ ଝିଣ୍ଟିକା ପ୍ରାୟ ତାଙ୍କୁ ତୋଳି ।

ଯୁଝନ୍ତି ଅସୁରବଳ ଆଶା ଛାଡ଼ି ପ୍ରାଣ

ବିନ୍ଧନ୍ତି ଯେ ନିଶ୍ଵାସକେ କୋଟିକୋଟି ବାଣ ।

ଶ୍ରୀନୃସିଂହଗଣ ଅଙ୍ଗ ଅଟେ ବଜ୍ର ସେହ୍ନା

ବାଜି ଶରମାନ ହୋଇଯାନ୍ତି ସବୁ ଚୁନା ।

ଅସୁର ମାରି କରନ୍ତି ବୀରେ ରଣକେଳି

ଜୀବନ ଛାଡ଼ି ଦଇତ୍ୟେ ପଡ଼ିଲେକ ଢଳି ।

ଦଇତ୍ୟେ ବିନ୍ଧନ୍ତି ଶର ହୋଏ ଊର୍ଦ୍ଧ୍ଵବାହୁ

ରବିକୁ ଅମାବାସ୍ୟାରେ ଘୋଟେ ଯେହ୍ନେ ରାହୁ ।

କଟାରୀ ବୁଲାଇ ଦୈତ୍ୟଙ୍କର ମୁଣ୍ଡ ମୋଡ଼ି

ଖାଆଲୋ ଯୋଗିନୀ ବୋଲି ଦ୍ୟନ୍ତି ଘୋରରଡ଼ି ।

ଦନୁଜେ ମରନ୍ତେ ବହିଲାକ ରକ୍ତନଦୀ

ଆଲୋପି ଦେଖିଣ ତାହା ବହୁତ ଯେ କାନ୍ଦି ।

ବୃକା ବୋଇଲା ଆଲୋପି ମୋର କଥା ଶୁଣି

ଶ୍ରୀନୃସିଂହ ବେନିଭାଇ ପଳାଇଲେ ଜାଣି ।

ଗୃହରେ ଦେଖି ଆସିଛି ତାଙ୍କୁ ଜାଣ ମୁହିଁ

ସୈନ୍ୟ ଛାରକୁ ତାହାର ଡରିବା କିମ୍ପାଇଁ ।

ଆଲୋପି ବୋଲେ ତୁ ସତ କହିଲୁରେ ବାବୁ

ଶ୍ରୀନୃସିଂହ ସୈନ୍ୟମାରିବା ଆସ ଏବେ ସବୁ ।

ରାଉତ ନଥିବା ସୈନ୍ୟ ଜାଣ ଛେଳି ପ୍ରାୟ

ଦେଖ ଆହୋ ବୃକାସୁର କରୁଛି ମୁଁ ଜୟ ।

ଏରୂପେ ବୋଲି ଦଇତ୍ୟ ଧଇଲାକ ବାଣ

ବିନ୍ଧିଲାକ ମନ୍ତ୍ର ପଢ଼ି ଗୁଣେ ବସାଇଣ ।

ଦେଖିଣ ମୃତ୍ୟୁ ନୃସିଂହ ଆଡ଼ିଲେକ ମୁଣ୍ଡ

ବାଜିଣ ସେ ବାଣମାନ ହେଲେ ଖଣ୍ଡ ଖଣ୍ଡ ।

ପୁଣିହିଁ ଆଲୋପି ବିନ୍ଧିଲାକ ଶର କୋଟି

ଦେଖିଣ ମୃତ୍ୟୁ ନୃସିଂହ ବିସ୍ତାରିଲେ ପାଟି ।

ପଡ଼ିଣ ସେ ଶରମାନେ ଗର୍ଭେ ଯାଇ ମିଳି

କ୍ରୋଟାନଳେ ପଡ଼ି ତତକ୍ଷଣେ ଗଲେ ଜଳି ।

ଦେଖିଣ ଆଲୋପି ଦୈତ୍ୟ ମନେ କଲା ଶଙ୍କା

ପୁଣିହିଁ ଧଇଲା କରେ ବଜ୍ର ଶକ୍ତି ଏକା ।

ହୁଂକାର ନାଦେ ପିଟନ୍ତି ଶକ୍ତି ରୋଷ ବହି

ଚାହିଁଣ ମୁତ୍ୟୁ ନୃସିଂହ ଗଲେ ଆଡ଼ ହୋଇ ।

ଲେଉଟି ବଜ୍ର ଶକତି ଧରି ଦୈତ୍ୟ ଉଠି

ମୃତ୍ୟୁନୃସିଂହ ମୁଣ୍ଡରେ କୋପେ ନେଇ ପିଟି ।

ଦେଖିଣ ମୃତ୍ୟୁ ନୃସିଂହ ଗଲେ ଆଡ଼ ହୋଇ

ଭୂମିରେ ତ୍ରିତାଳ ପଶିଲାକ ଶର ଯାଇ ।

ଧାଇଁଯାଇ ମହାକୋପେ ସେ ମୃତ୍ୟୁ ନୃସିଂହ

ମୁଥେ ମାରନ୍ତେ ପଡ଼ିଲା ମୋହେ ଦୈତ୍ୟସିଂହ ।

ସେଠାରୁ ଚଳି ତାହାକୁ ବସିଲେକ ମାଡ଼ି

ପୁଣିହିଁ ମୃତ୍ୟୁ ନୃସିଂହ ପିଟିଲେକ ବାଡ଼ି ।

ଅସୁର ଅଙ୍ଗରେ ବାଜି ହେଲା ମସିଗୁଣ୍ଡ

ପୁଣିହିଁ ମୁତ୍ୟୁନୃସିଂହ ଧରି ଲୌହଦଣ୍ଡ ।

କ୍ରୋଧରେ ଅସୁର ଅଙ୍ଗେ ତାହା ନେଇ ପିଟେ

ବାଜନ୍ତେ ଲୌହ ଦଣ୍ଡରୁ ଅନଳ ଯେ ଉଠେ ।

ଶସ୍ତ୍ର ନ ଭେଦନ୍ତେ କୋପେ ସେ ମୃତ୍ୟୁ ନୃସିଂହ

ଆକର୍ଷି ବସିଲେ ମାଲବନ୍ଧେ ମାଡ଼ି ଅଙ୍ଗ ।

ମାଇଲେକ ବଜ୍ରମୁଥେ ନେଇ ହୃଦେ ତାର

ପଡ଼ିଛି ଦୈତ୍ୟ ଭୂମିରେ ଦେଇ ଆଣ୍ଠୁଭାର ।

ମାଡ଼ିବସି ଦଶନଖେ ରାମ୍ପିଲେ ତା ବୁକୁ

ତେବେ ସେ ନଘଟେ ମୃତ୍ୟୁ ଆଲୋପି ଦୈତ୍ୟକୁ।

ଭଳନ୍ତି ମୃତ୍ୟୁନୃସିଂହ ନ ପାରିକି ଆଉ

ଛାଡ଼ିଣ ଦେବି ପଛକେ ଏ ପଳାଇ ଯାଉ ।

ମୃତ୍ୟୁ ନୃସିଂହଙ୍କ କଥା ଦେବତାଏ ଜାଣି

ଶୂନ୍ୟରେ ଥାଇ କରନ୍ତି ଭୟେ ସ୍ତୁତି ପୁଣି ।

ବୋଲନ୍ତି ଶୁଣହୋ ସ୍ଵାମୀ ମୃତ୍ୟୁ ସିଂହ ହରି

ସନ୍ଥଜନ ରଖଇ ଦୁଷ୍ଟଜନ ଦେଇ ମାରି ।

ଲୋହିତ ବର୍ଣ୍ଣ ତୋ ଦେହ ଆରକ୍ତ ତୋ ଦୃଷ୍ଟି

ବିକଟାଳ ରୂପେ ପାରୁ ବ୍ରହ୍ମାଣ୍ଡ ତୁ ଘୋଟି ।

ଲହଲହ ଜିହ୍ଵା ତୋର ଶିରେ ମୁଣ୍ଡମାଳ

ରାକ୍ଷସ ବଳକୁ ତୁହି ଅଟୁ କାଳାନଳ ।

ବ୍ରହ୍ମାଣ୍ତ କମ୍ପଇ ଯାର ଶବ୍ଦ ରଡ଼ିଘାତେ

 

ବୁଝିଲେ ଏ ଛାର କିସ ଅଟନ୍ତି ଦଇତ୍ୟେ ।

ଏହାରପାଇଁ ନୃସିଂହ କଲେ ତୋତେ ଜାତ

ମୋଡ଼ିଲେ ମୁଣ୍ତ ଛିଡ଼ିଣ ପଡ଼ିବ ଦଇତ ।

ଏହାର ଦେହରେ ଅଛି ଅମୃତ ସେ ମଣି

ଏ ବର ଏହାକୁ ଦେଇଛନ୍ତି ଗୋସାମଣି ।

ମୁଣ୍ତ ସଙ୍ଗେ ଯେବେ ଅନ୍ତ ବାହାର ହୋଇବ

ତେବେ ଯାଇ ତାର ମଣି ଛିଡ଼ିଣ ପଡ଼ିବ ।

ଏରୂପେ କହି ଡାକିଲେ ଦେବେ ରହି ଶୂନ୍ୟେ

ମୃତ୍ୟୁ ନୃସିଂହ ଶୁଣିଲେ ତାହା ବେନିକର୍ଣ୍ଣେ ।

ମନରେ ହରଷ ହୋଇ ଛାଡ଼ି ଘୋରରଡ଼ି

ମୁଣ୍ତରେ ମଡ଼ିଲେ କାଳ ଆସି ତାର ମାଡ଼ି ।

ସେହିଠାରୁ ପ୍ରାଣ ତାର ଗଲ ଅଧା ସ୍ୱର୍ଗ

ପିଛଡ଼ା ନ ପକାଇ ସେ ଚାହିଁ ଚଉଦିଗ ।

ମୋଡ଼ନ୍ତେ ତା ବେକ ଧରି ମୁଣ୍ତ ଗଲା ଛିଡ଼ି

ଆଲୋପି ପ୍ରାୟ ଗଗନ ମାର୍ଗେ ଗଲା ଉଡ଼ି ।

ଖସିଣ ପଡ଼ିଲା ମଣି ରୁଧିର ସଙ୍ଗରେ

ପର୍ବତ ସମାନ ପିଣ୍ତ ପଡ଼ିଲା ଭୂମିରେ ।

ଶୂନ୍ୟରେ ଥାଇଣ ଦେବେ କଲେ ଜୟଜୟ

କୁସୁମ ବୃଷ୍ଟି କରିଲେ ଶ୍ରୀନୃସିଂହ କାୟ ।

ଯାବତ ଜୀବଙ୍କ ମୁଣ୍ତେ ସଦା ବିଷ୍ଣୁଭ୍ରମି

ବୋଲନ୍ତି ଶୁଣହେ ମୃତ୍ୟୁ ନୃସିଂହ ଭୋ ସ୍ୱାମୀ ।

କୀଟୁ ବ୍ରହ୍ମଯାଏ ସବୁଙ୍କରି ମୁଣ୍ତେ ବସୁ

ଚକ୍ଷୁ ପଲକ ଚାଳି ତୁ ସମସ୍ତଙ୍କୁ ଗ୍ରାସୁ ।

ତୁ ଯେଉଁ ରୂପେ ଗ୍ରାସୁ ନପାରେ କେହୁ ଜାଣି

ମରି ଜନ୍ମିଲେ ଆମ୍ଭଙ୍କୁ ତୁହି ଗ୍ରାସୁ ପୁଣି ।

ମୃତ୍ୟୁଠାରୁ ବର୍ତ୍ତିବାକୁ ନାହିଁ କାର ବୁଦ୍ଧି

ଶ୍ରୀବ୍ରହ୍ମା ବିଷ୍ଣୁ ଆବର ହର ସନକାଦି ।

ବିହାର କରୁ ସକଳ ମସ୍ତକେ ଯେ ତୁହି

ତୋର ଉପରେ କାହାର ଆଉବଳ ନାହିଁ ।

ମୃତ୍ୟୁକୁ ଦେହରେ ବହି ସବୁ ଦ୍ରବ୍ୟ ସଞ୍ଚି

ମୃତ୍ୟୁକୁ ଛାଡ଼ି ଗୋବିନ୍ଦ ପାରେ ଏକା ବଞ୍ଚି ।

ଯେ ଯହିଁ ଗଲେହେ ମୃତ୍ୟୁ ସଙ୍ଗେ ତାର ଥାଇ

ମୃତ୍ୟୁକୁ ଛାଡ଼ି କେହି ନ ପାରେ ଦେହ ବହି ।

ଅମୃତକୁଣ୍ତେ ରହିବ ପ୍ରାଣୀ ଯେବେ ବୁଡ଼ି

ତେବେହେଁ ମୃତ୍ୟୁ ତିଳାର୍ଦ୍ଧେ ନାହିଁ ତାକୁ ଛାଡ଼ି ।

ବୈକୁଣ୍ଠପୁରକୁ ଗଲେ ମୃତ୍ୟୁ ନାହିଁ ଆନ

ମୃତ୍ୟୁକୁ ଜିଣି ଅଛନ୍ତି ଏକା ଭଗବାନ ।

ମୃତ୍ୟୁକୁ ଛାଡ଼ି ସଂସାରେ ନର ନ ରହଇ

ସ୍ୱର୍ଗରେ ରହିଲେ ବଞ୍ଚି ନ ପାରଇ ସେହି ।

ଯେଣେହେଁ ଗଲେ ମୃତ୍ୟୁକୁ ସଙ୍ଗେ ଥାଏ ବହି

ବସି ବସି ଚାଲି ଚାଲି ବିଜେ କରୁଥାଇ ।

ପାଲିଙ୍କି ପଲଙ୍କ ଗଜ ଅଶ୍ୱେ ବସିଥିଲେ

ମୃତ୍ୟୁକୁ ସେ ମୁଣ୍ତେ ବହି ରାତ୍ରଦିବା ବୁଲେ ।

ଯାହାଙ୍କୁଟି ଯେତେବେଳେ ଥାଇଯେଉଁ ଯୋଗ

ତାହାକେ ମେଣ୍ଟି ଜାଣି ନ ପାରେ ତିନିସ୍ୱର୍ଗ ।

ହେ ସୁଜ୍ଞ ଜନେ ମୃତ୍ୟୁକୁ କରେ ମନେ ଚିନ୍ତା

ମୃତ୍ୟୁ କଥାକୁ ଅଟନ୍ତି ସେହି ମୋକ୍ଷଦାତା ।

ମାନବ ଜନ୍ମେ ଏହା କେ ପାରେ ସଂଖ୍ୟାକରି

ବିପ୍ର ପିତାମ୍ବର ସେହି ମୃତ୍ୟୁକୁ ଯେ ଡରି ।

ମୃତ୍ୟୁରୁ ବଞ୍ଚି ନ ପାରେ ରହିଲେଟି ଗୁପ୍ତେ

ଶ୍ରୀଶାରଦା ଠାକୁରାଣୀ ଆଜ୍ଞାଦେଲେ ମୋତେ ।

ବୋଇଲେ ତୁ ଦେହ ବହି ଡରୁଛୁ କିମ୍ପାଇ

ମୃତ୍ୟୁକୁ ଯେ ଲୁଚିବାକୁ ସ୍ଥାନ ନାହିଁ କାହିଁ ।

ପଳାଇଗଲେ ମୃତ୍ୟୁ କି ଛାଡ଼ିବ ମୁହୂର୍ତ୍ତେ

ଏଥକୁ ପରମଗତି କହେ ଶୁଣ ତୋତେ ।

ଏ ସଂସାରୁ ତରିବାକୁ ଲୋଡ଼ ଯେବେ ଭେଳା

ଆଜ୍ଞାଦେଲୁ ଲେଖ ଶ୍ରୀନୃସିଂହ ଗ୍ରନ୍ଥ ଲୀଳା ।

ଏରୂପେ ପରମ ଲାଭ ଦେଉ ମାତା ମୋତେ

ତେଣୁ ଏ ନୃସିଂହ ଗ୍ରନ୍ଥ ଲେଖେ ଜନହିତେ ।

କହନ୍ତି ଯେ ବେଦ ବ୍ରହ୍ମା ଶୁଣ ହେ ନାରଦ

ଶ୍ରୀନୃସିଂହ ପୁରାଣ ଏ ଅଟେ ମୋକ୍ଷପଦ ।

ମାତାପିତାଙ୍କ ଛାମୁରେ ନୃସିଂହ ଜଣାଇ

ସମର ସ୍ଥାନେ ମିଳିଲେ ଆସି ବେନିଭାଇ ।

ଆଲୋପି ଦୈତ୍ୟ ମାରିବା ଖବର ସେ ଶୁଣି

ମନମଧ୍ୟେ ବଡ଼ ଶ୍ରଦ୍ଧା ବହି ଚକ୍ରପାଣି ।

ନୃସିଂହ ବୋଇଲେ ଶୁଣ ଉଗ୍ର ନରସିଂହ

ସଲୋପିକ ମାର ବେଗେ କରୁ ପ୍ରାଣତ୍ୟାଗ ।

ଆଉ ସୈନ୍ୟଙ୍କୁ ନୃସିଂହଗଣ ମାର ଯାଇ

ମନଇଚ୍ଛାରେ ଯେ ମାର ସୃଷ୍ଟି ରକ୍ଷାପାଇଁ ।

ଶୁଣିଣ ନୃସିଂହ ସେହି ଆଜ୍ଞା ପରମାଣେ

ଧନୁଧରି ଧାଇଁ ଯାଇ ପଶିଗଲେ ରଣେ ।

ଶ୍ରୀ ଉଗ୍ର ନୃସିଂହ କରେ ନାରାଚ ଧଇଲେ

ସଲୋପି ଦଇତ୍ୟ ଆଗେ ଯାଇଁ ବିଜେକଲେ ।

ଦେଖିଣ ସଳେପି ଦୈତ ଚାହିଁ କ୍ଷଣ ଯାଏ।

ବୋଇଲେ ତୁହି କି କୃଷ୍ଣବଲ୍ଲଭର ପୋଏ ।

ଶୁଣିଣ ଉଗ୍ର ନୃସିଂହ ହଇ ହଇ କହି

ତୁ ଯାହା ବୋଇଲୁ ଆମ୍ଭ ପ୍ରାଣ ଏକ ସେହି ।

ବୁଝିବା ପାଇଁ ତୋହର କରାମତ ବଳ

ତେଣୁ ସେ କି ମୋତେ ପେଶିଛନ୍ତି ଆଦିମୂଳ ।

ଦିଶୁଛି ମୋତେ ଝିଣ୍ଟିକା ପ୍ରାୟ ତୁହି ଜାଣ

ନୃସିଂହ ସଙ୍ଗେ କେ ସରି ଅଛି ସଂସାରେଣ ।

ଶୁଣି ସଲୋପି ବୋଇଲା ତେବେ ଆଚ୍ଛା ଆଚ୍ଛା

ଏକ ନାରାଚ ବାଜିଲେ ହୋଇଯିବ ମୂର୍ଚ୍ଛା ।

ଏରୂପେ ବୋଲି ଧଇଲା ଧନୁ ବାମକରେ

ପର୍ବତ ବାଣ ସହସ୍ରେ ପେଷିଲା ତତ୍ପରେ ।

ବଜ୍ରଶରେ ଭାଙ୍ଗନ୍ତେ ଯେ ତାକୁ ଉଗ୍ରମୂର୍ତ୍ତି

ଦେଖିଣ ସଲୋପି ମନେ କରଇ ଯେ ସ୍ତୁତି ।

ବୋଲେ ଧନ୍ୟଧନ୍ୟ ତୁହେ ଉଗ୍ର ନରସିଂହ

ଯେ ତୋତେ ଜନ୍ମ କଲା ସେନିଶ୍ଚେ ବିଷ୍ଣୁ ଅଙ୍ଗ ।

କେଡ଼େହେଁ ଶର ମୋହର ମେଣ୍ଟିଲୁ ତୁ ଆଜ

ପୁଣି ନାଶକର ଶର ବିନ୍ଧିଲା ଦନୁଜ ।

ତୀକ୍ଷ୍‌ଣଶର ସେ ନୃସିଂହ ନାଶିଦେଲେ ତାହା

ଯେହୁ ନୃସିଂହ ଅଟନ୍ତି ସେହୁ ଚଉବାହା ।

ପୁଣିହିଁ ସେ ମେଘଶର ପେଷିଲା ସଲୋପି

ଆସିଲେ ସେ ମେଘମାନେ ଦଶଦିଗ ବ୍ୟାପି ।

ଶୂନ୍ୟରେ ତ୍ରିଶୂଳ ପ୍ରାୟ ଆସନ୍ତେ ସେ ମାଡ଼ି

ନୃସିଂହ ଦେଖି ପବନ ଶର ଦେଲେ ଛାଡ଼ି ।

ବହିଲାକ ଅଣଚାଶ ଭାଳି ମେଘମାଳ

ପଶିଲେ ପବନ ବଳେ ଗଗନ ମଣ୍ତଳ ।

ବିନ୍ଧିଲା ବେଲଙ୍କ ନାମେ ଶର ପାଞ୍ଚକୋଟି

ଲୋମ ଗୋଟିକେ ଯେ ଏକହେବ ଲେଖିଲେଟି ।

ଖଣ୍ତଦୂରୁ ଦେଖି ଉଗ୍ର ନୃସିଂହ ତା ପୁଣି

ବାବଲ ଶରକୁ ପେଷି ପକାଇଲେ ହାଣି ।

ପୁଣି ସଲୋପି ନିର୍ଘାତ ଶର ଦେଲା ବିନ୍ଧି

ପେଷି ବଜ୍ରଶର ଦେଲେ ନୃସିଂହ ତା ଛେଦି ।

କୁହୁକ ନାରାଚ ପୁଣି ପେଷିଲା ଦଇତ୍ୟ

ସୂର୍ଯ୍ୟାବଳୀ ନାରାଚେ ତା କଲେ ପ୍ରଭୁ ହତ ।

ପୁଣି ସଲୋପି ଆସୁର ଶର ଦେଲା ପେଷି

କାଳିକା ବାଣରେ ଉଗ୍ର ନୃସିଂହ ତା ନାଶି ।

ଏରୂପେ ଲାଗନ୍ତେ ଅନେକ ଯେ ଘୋର ଯୁଦ୍ଧ

ଦେଖିଣ ଉଗ୍ର ନୃସିଂହ କଲେ ମହାକ୍ରୋଧ ।

ପିଟନ୍ତେ ଅମୋହ ଗଦା ନେଇ ଦୈତ୍ୟଅଙ୍ଗେ

ଭାଙ୍ଗିଲେ ସାରଥି ସହ ରଥ ରଣରଙ୍ଗେ ।

ଯାନ ଅଭାବେ ଯୁଝିଲା ହୋଇ ପାଦଗତି

ତିନିଲକ୍ଷ ନାରାଚ ପଞ୍ଚାଶତ ପ୍ରତି ।

ଅଧା ଚନ୍ଦ୍ରକୁ ପେଷିଲେ ଉଗ୍ର ନରସିଂହ

ସଲୋପିର ଧନୁଶର କଲେ ସବୁ ଭଙ୍ଗ ।

ପୁଣି ଦୈତ୍ୟବୀର ଧଇଲାକ ଆନ ଧନୁ

ନାରାଚ ଶତେ ପେଶିଲା କୋପ ବହି ମନୁ ।

ପଡ଼ିଲା ସେ ଶର ଉଗ୍ର ନରସିଂହ ଅଙ୍ଗେ

ଲୋମ ଭେଦି ବହିଲାକ ରକ୍ତ ବେନି ଜଙ୍ଗେ ।

ରୁଧିର ଦେଖିଣ ଉଗ୍ର ହେଲେ ପରଚଣ୍ତ

ବାବଲଶର ପେଷିଲେ କଲେ ବେନିଖଣ୍ତ ।

ଧନୁ ଛିଡ଼ନ୍ତେ ଦଇତ୍ୟ ହେଲା ଶୂନ୍ୟହସ୍ତ

ମାଇଲା ନୃସିଂହ ହୃଦେ ନେଇ ବଜ୍ର ମୁଥ ।

ବାଜନ୍ତେ ସଲୋପି ଦୈତ୍ୟ ମୁଥ ହୃଦେ ଯାଇ

ହସିଲେ ଉଗ୍ର ନୃସିଂହ ହସ୍ତେ ପୋଛିଦେଇ ।

ଅସୁର ଉପରେ ମାଡ଼ିବସି ଘୋରନାଦେ

ଚମକି ପଡ଼ିଲା ତିନିପୁର ସେ ଶବଦେ ।

ଅସୁର ଲେଉଟାନ୍ତେଣ ତାକୁ ଲେଉଟାଇ

ମାଇଲେକ ଦଜ୍ରମୁଥ ଦୈତ୍ୟମୁଣ୍ତେ ନେଇ ।

ମୃଥ ବାଜି ଅସୁରର ମୁର୍ଦ୍ଧାଗଲା ଫାଟି

ଶୁନ୍ୟପୁରେ ଦେବେ ଥାଇ କଲେ ପୁଷ୍ପବୃଷ୍ଟି ।

ନମସ୍ତେ ଉଗ୍ର ନୃସିଂହ ତୁମ୍ଭ ପାଦେ ଆଶ

ସଲୋପି ଦୈତ୍ୟକୁ ମାରି ରଖିଲ ତ୍ରିଦଶ ।

ଆବର ଯେତେକ ସୈନ୍ୟଛନ୍ତି ବେଗେ ମାର

ଶୁଣି ହରିଗଣ ଧାଇଁଲେକ ଧାତିକାର ।

ଦୈତ୍ୟଙ୍କର ଶିର ମୋଡ଼ି ଧରି ମାଳେମାଳେ

ଏକଡ଼ ସେକଡ଼ ମୋଡ଼ି ପକାନ୍ତି ଭୂତଳେ ।

ଦୈତ୍ୟଙ୍କୁ ସେ ଦିଶୁଛନ୍ତି ଯେହ୍ନେ କାଳାନଳ

ଗରୁଡ଼େ ବସିଛନ୍ତି ପ୍ରଭୁ ଆଦିମୂଳ ।

ଭୈରବ ମୂରତି ଧରି ଶ୍ରୀ ନୃସିଂହ ବୀରେ

ଗହ ଗହ ଶବ୍ଦ କରି ଯାନ୍ତି ଫୁଫୁକାରେ ।

କେ ବେକ ମୋଡ଼ିଣ କେହୁ କରେ ଖଣ୍ତ ଖଣ୍ତ

ମତ୍ତରଙ୍ଗେ ଡେଇଁ ଲମ୍ଭଇ କେ ଧରି ମୁଣ୍ତ ।

ଚର୍ମକୁ ଉଛୁଡ଼ି କେହୁ ବସେ ଚକମାଡ଼ି

ବେନିଫାଳ କରି ବୁଲେ କେହୁ ଏକା ଫେଡ଼ି ।

ଏରୂପେ ନୃସିଂହଗଣ ଦୈତ୍ୟଯାକ ମାରି

ଆଉ କେ ଅଛି ଡାକନ୍ତେ ଫୁଫୁକାର କରି ।

ହସନ୍ତି ନୃସିଂହ ତାହା ଶୁଣି ନିଶ ଧରି

ନିଜଗଣଙ୍କୁ କହନ୍ତି ସମ୍ବୋଧନି କରି ।

ବୋଲନ୍ତି ଯେ କେତେଯୁଦ୍ଧ କଲଣିରେ ତୁମ୍ଭେ

ଆବର ଥିବା ଦୈତ୍ୟଙ୍କୁ ମାରିବୁ ଯେ ଆମ୍ଭେ ।

ଏରୂପେ ବୋଲିଣ ପ୍ରଭୁ ହସ୍ତେ ଚକ୍ରଧରି

ବୋଇଲେ ଥିବା ଦୈତ୍ୟଙ୍କୁଆସ ବେଗେମାରି ।

ସମର କରନ୍ତେ କାଳ ହେବ ସିନା ମଠ

ଏକାବେଳକରେ ଚକ୍ର ଯାଇ ମୁଣ୍ତକାଟ ।

ବୀରବାହୁ ରଣକେଶୀ ବୃକାସୁର ତିନି

ମଦନା ଲୋହ ଆସୁର ହୃଷୀକେଶୀ ଘେନି ।

ଏ ଷଡ଼ ସେନାଙ୍କୁ ମାରି ଆସ ଶୀଘ୍ରେ ଚଳି

ଶୁଣିଣ ସେ ସୁଦର୍ଶନ ଗଲା ଆଜ୍ଞା ପାଳି ।

ମହାବିଶ୍ୱରୂପ ଧରି ଗର୍ଜିଣ ପଡ଼ିଲା

ଷଡ଼ସେନା ମୁଣ୍ତ ଯାଇ କାଟି ପକାଇଲା ।

ଗଙ୍ଗାନଦୀରେ ସ୍ନାହାନ କଲାଯାଇ ପଶି

ନୃସିଂହ ଦକ୍ଷିଣ କରେ ବିଶ୍ରାମିଲା ଆସି ।

ବୋଇଲା ପୁଚ୍ଛିବି ଏକ କଥା ନାରାୟଣ

ଦେଖିଲି ବାଟେ ଆସୁ ମୁଁ ଅପୂର୍ବ ସ୍ତିରୀଗଣ ।

ଦୈତ୍ୟ ମଲାରୁ ଭୁଞ୍ଜନ୍ତି ମାଂସ କେହୁ ବସି

କହନ୍ତି ନୃସିଂହ ସ୍ୱାମୀ ଶୁଣି ମନେ ହସି ।

ବୋଲନ୍ତି ସେମାନେ ଜାଣ ଅଟନ୍ତିଟି ଯେହୁ

ତାହାଙ୍କ ନାମ ଶୁଣ ଶ୍ରୀମୁଖେ ଆମ୍ଭେ କହୁ ।

ଚର୍ଚ୍ଚିକା ଚାମୁଣ୍ତା ଭଗବତୀ ଯୋଗେଶ୍ୱରୀ

କାଳିକା ଯେ କାଳରାତ୍ରି ମେଧା ଶାକମ୍ବରୀ ।

ନାରେଣୀ ନାରେଙ୍ଗୀ ରାମଚଣ୍ତୀ ଉଗ୍ରତାରା

କୋଠରୀ ବ୍ରାହ୍ମଣୀ ଆଉ ବାସେଳୀ ତ୍ରିପୁରା ।

ଚମ୍ପାଇ ଅପରାଜିତା ରୁପାଇ ପିଙ୍ଗଳା

ସରକମା ମାରକମା ବାହୁତି ହିଙ୍ଗୁଳା ।

କାଳରାତ୍ରି କାଳୀମାଈ କଳ୍ପାଇ କାଳିକା

ସିଦ୍ଧେଶ୍ୱରୀ କାଳଶୁଣି ପାଟେଳୀ ଚର୍ଚ୍ଚିକା ।

କଞ୍ଚାଖାଇ ବକ୍ରଦନ୍ତି ପିଶାଚୀ ଶୋଷିଣୀ

ନାଙ୍ଗୁଳା ବିମଳା ସର୍ପମୁଖୀ ବିମୋଚିନୀ ।

ବିଜୟା ଡାକିନୀ ଛାୟା ମାୟା ଡାକେଶ୍ୱରୀ

ଅମ୍ବାଳୀ କଙ୍କାଳୀ ଅମ୍ଭବତୀ ଘଟଙ୍କରୀ ।

ଆବର ଶାଗଣା କାକକୋଳା ମିଟିଚିଲୀ

ଭକ୍ଷନ୍ତି ଭଲ୍ଲୁକୀ ଶାଗୁଣୀ ଯେ ପଲି ପଲି ।

ନୃସିଂହଗଣଙ୍କୁ ଏହି ଥାନ୍ତି ଅନୁସରି

ଦୈତ୍ୟଙ୍କୁ ମାରନ୍ତେ ସେହୁ ଖାଆନ୍ତି ବିଦାରି ।

ଏହିରୂପେ ଶ୍ରୀମୁଖରୁ ଶୁଣି ସୁଦର୍ଶନ

ମନେ ପାଞ୍ଚେ ଧନ୍ୟ ଧନ୍ୟ ଏହି ଭଗବାନ ।

ହେ ବୁଧଜନେ ପୁରାଣ ଶୁଣ ଏକଚିତ୍ତେ

ଠିକ ଠିକ କରି କହିଲଇଁ ପଦ କେତେ ।

ମହାଗ୍ରନ୍ଥ ପୁରାଣ ଏ କଳନା ନ ଯାଇ

ପଢ଼ନ୍ତେ ଶୁଣନ୍ତେ ପୁଣି ଗତି ମୁକ୍ତି ପାଇ ।

ସପ୍ତଜନ୍ମଯାକେ ଯେତେ ପାପ ଥିବ କରି

ସଙ୍କଳ୍ପେ ଶୁଣି ସଂସାରୁ ଯିବ ହାଦେ ତରି ।

ନୃସିଂହ ପୁରାଣ ଶୁଣିବାର ପୁଣ୍ୟବଳୁ

ଯଶ ଶିରୀ ବର୍ଦ୍ଧିତ ଯେ ହୁଏ ଧର୍ମ ବଳୁ ।

ରାଜପୀଡା ଶତ୍ରୁ ପୀଡ଼ା ନବଗ୍ରହ ପୀଡ଼ା

କରନ୍ତି ସୁଦୟା ଏହୁ ଗ୍ରନ୍ଥ କଲେ ପଢ଼ା ।

ସକଳ ତୀର୍ଥକୁ ଗଲେ ଯେତେ ପୁଣ୍ୟ ଅଛି

ସେହି ପୁଣ୍ୟମାନ ଏହା ପୁରାଣେ ପୂରିଛି ।

ଏ ଗ୍ରନ୍ଥ ଶୁଣିଲା ଲୋକ ସବୁ ତୀର୍ଥ ଲଭେ

ଦେହାନ୍ତେ ବୈକୁଣ୍ଠେ ଘେନିଯାନ୍ତି ବାସୁଦେବେ ।

ପଦ ପଦକେ ଅମୃତ ଅଟେ ଏହୁ ବାଣୀ

ସନ୍ତୋଷେ ଶୁଣିଣ ଦାନ ଦେବେ ସୁଧାପ୍ରାଣୀ ।

ଦେହଅନ୍ତେ ସେ ବସିବେ ଯାଇ ବିଷ୍ଣୁ ଲୋକେ

ବିପ୍ର ପୀତାମ୍ବରକୁ ଯେ ନେବେ ପୁଣ୍ୟଶ୍ଳୋକେ ।

ବଦୟନ୍ତି ବେଦବ୍ରହ୍ମା ଶୁଣ ହେ ନାରଦ

ଶ୍ରୀନୃସିଂହ ପୁରାଣ ଏ ଅଟେ ମୋକ୍ଷପ୍ରଦ ।

ଯେତେ ନୃସିଂହଗଣ ଶ୍ରୀଅଙ୍ଗୁ ଜନ୍ମିଥିଲେ

ପ୍ରଭୁଙ୍କ ଛାମୁରେ ଆସି ପ୍ରବେଶ ହୋଇଲେ ।

ରକତରେ ଜର ଜର ସବୁଙ୍କର ଅଙ୍ଗ

ମହାକାଳ ଫଳପ୍ରାୟ ଦିଶଇ ସୁରଙ୍ଗ ।

ଯୁଦ୍ଧେ ଜୟ କରି ସର୍ବେ ଅଙ୍ଗୁ ଭୟ ଛାଡ଼ି

ଶୁତିଲେ ଶ୍ରୀନୃସିଂହଙ୍କ ପଦ୍ମପାଦେ ପଡ଼ି ।

ଉଠ ଉଠ ବୋଲି ଆଜ୍ଞା ଦେଲେ ମହାପ୍ରଭୁ

ବୋଇଲେ ଅସୁର ସୈନ୍ୟ ନାଶିଲ କି ସବୁ ।

ନୃସିଂହଗଣ କହନ୍ତି ଶ୍ରଦ୍ଧାବନ୍ତ ହୋଇ

ବୋଲନ୍ତି ଯେ ସାବଧାନେ ଶୁଣ ଲକ୍ଷ୍ମୀସାଇଁ ।

ମୁରକୁ ଜାଣ ଖବର ଦେବାକୁ ଗୋଟିଏ

ନାହାନ୍ତି ସବୁଙ୍କୁ ନାଶି ଯୁଦ୍ଧେ କଲେ ଜୟେ ।

ଶ୍ରୀନୃସିଂହ ତାହା ଶୁଣି ହସି ମନେ ମନେ

ଉଗ୍ର ନୃସିଂହକୁ ବର ଦେଲେକ ପ୍ରସନ୍ନେ ।

ଶ୍ରୀହରି ବୋଇଲେ ଶୁଣ ଉଗ୍ର ନରସିଂହ

ବତିଶ ଅକ୍ଷରେ ତୁମ୍ଭେ ହୁଅ ମନ୍ତ୍ର ଅଙ୍ଗ ।

ଉଗ୍ର ନରସିଂହ ବୀର ମନ୍ତ୍ରେ ଚଳୁ ଧରି

ବିପ୍ରେ ବସିଲେ ନିମଗ୍ନ ହୋଇ ପୂଜାକରି ।

ବତିଶ ବର୍ଣ୍ଣେ ବସି ତୁ ହୁଏ ମନ୍ତ୍ରରାଜ ।

ଆମ୍ଭେ ଏକ ପ୍ରତ୍ୟକ୍ଷରେ ତୁମ୍ଭେ ଚତୁର୍ଭୁଜ ।

ବତିଶ ନୃସିଂହମୂର୍ତ୍ତି ବତିଶ ଅକ୍ଷରେ

ମନ୍ତ୍ରରାଜ ହୋଇ ରହୁ ସଂସାର ଭିତରେ ।

ଏବେ ମୋର ଶ୍ରୀଅଙ୍ଗରେ ସର୍ବେ ହୁଅ ଲୀନ

ଲେଉଟି ପ୍ରକାଶି ମାରି ଦେବ ଯାତୁଧନ ।

ଏରୂପେ ଶ୍ରୀନୃସିଂହ ମୁଖରେ ଆଜ୍ଞା ଦେଇ

ନୃସିଂହଗଣ ରଖିଲେ ନିଜ ଅଙ୍ଗେନେଇ ।

ଏଥୁଅନନ୍ତରେ ସୁଜାଣ ଯେ ମହାମନ୍ତ୍ରୀ

କର୍ଣ୍ଣାଟେଶ୍ୱର ରାଜନ ସୂର୍ଯ୍ୟବଂଶ କ୍ଷତ୍ରୀ ।

ଏମାନେ ପାଶକୁ ସେନାଯାକ ହକରାଇ

ନୃସିଂହ ଠାକୁର ପାଶେ ପ୍ରବେଶିଲେ ଯାଇ ।

ମନ୍ତ୍ରୀ ବୋଇଲେ ହେ ସ୍ୱାମୀ ପରମ ଈଶ୍ୱର

ହେଲାଣିତ ବେଳ ଅସ୍ତ ନଗ୍ରେ ବିଜେକର ।

ତୁମ୍ଭେ ଅନ୍ତର୍ଯ୍ୟାମୀ ସବୁଙ୍କରି ମନ ଜାଣ

ସମସ୍ତେ ମିଶି ମାଇଲୁ ଆମ୍ଭେ ଦୈତ୍ୟଗଣ ।

ଶ୍ରୀନୃସିଂହ ପ୍ରଭୁ ଶୁଣି ମନେ ହର୍ଷ ହେଲେ

କର୍ଣ୍ଣାଟକୁ ପ୍ରଶଂସି ମନ୍ତ୍ରୀକୁ ପ୍ରଶଂସିଲେ ।

ଗରୁଡ଼େ ପ୍ରଶଂସି ଯିବାପାଇଁ ହେଲେ ଉଭା

ବୋଇଲେ ବଦ୍ରିକାମୋର ତୁମ୍ଭଘେନି ଶୋଭା ।

ନଗ୍ରହିଁ ଶୋଭା ଗ୍ରହଣ ମୋର ଶୋଭାପାଏ

ତୁମ୍ଭ ସାହାବଳୁ ମୁହିଁ ସବୁ କରେ ଜୟେ ।

ତେଡ଼େ ଲାଖ ବିନ୍ଧି ଲକ୍ଷ୍ମୀଙ୍କୁ ଯେ ହେଲୁ ବିଭା

ତୁମ୍ଭ ଘେନି ଅବତାର ଦିଶେ ମୋର ଶୋଭା ।

ଗରୁଡ଼ ଯତି ମୋହର ବ୍ରହ୍ମାଣ୍ତରେ ଶ୍ରେଷ୍ଠ

କ୍ଷଣକେ ବହି ବୁଲଇ ଚଉଦ ବୈକୁଣ୍ଠ ।

ବୁଝିଲେ ମୋହର ତହୁଁ ଅଟେ ଭକ୍ତ ବଡ଼

ଗରୁଡ଼ ପ୍ରାୟକେ ନାହିଁ ଭକ୍ତ ଯୋଗାରୁଢ଼ ।

କେତେହେଁକ ଶ୍ରମପାଇ ସେବିଛି ମୋ ପାଦେ

ଏହା ମହିମାରେ ଗୁଣ ଦିଶେ ଚାରିବେଦେ ।

କର୍ଣ୍ଣାଟ ଦେଶର ରାଜା କହିବା କି ପୁଣ

ଛାଡ଼ି ନିଜ ରାଜ୍ୟ ସେବିଅଛି ମୋତେ ଜାଣ ।

ମୁରକୁ ମାରି କରିବି ଯେବେ ମୁହିଁ ରାଜା

ଚାରିଯୁଗେ ମୋ ପ୍ରତିଜ୍ଞା ସବୁ ହେବ ବୁଝା ।

ସୁଜାଣ ମନ୍ତ୍ରୀ ମହିମା କହିବା କି ପୁଣି

କରିଛି ସେବା ମୋତେ ଶ୍ରୀଗୁରୁ ପ୍ରାୟ ମଣି ।

ଏ ଅବତାର ଅନ୍ତେ ଏ ଲେଉଟି ଜନ୍ମିବ

ତ୍ରେତାଯୁଗରେ ସୁମନ୍ତ୍ର ମନ୍ତ୍ରୀ ଯାଇ ହେବ ।

ଆମ୍ଭେ ଯେ ହୋଇବୁ ରଘୁନାଥ ଅବତାର

ସେ କାଳେ ଆମ୍ଭର ମନ୍ତ୍ରୀ ହେବ ମନ୍ତ୍ରୀବର ।

ଏ ଯୁଗେ ଏହାର ଗୁଣ ନ ପାରେ ମୁଁ ଶୁଝି

ତ୍ରେତାଯୁଗେ ଦେବି ସବୁ ବରତନ ଖଞ୍ଜି ।

ଶୁଣି ମନ୍ତ୍ରୀବର ତହୁଁ ଯୋଡ଼ି କରପତ୍ର

ବୋଇଲେ ସ୍ୱାମୀହେ ତୁମ୍ଭେ ଆମ୍ଭ ପୁଣ୍ୟକ୍ଷେତ୍ର ।

ଏଡ଼େ କ୍ଷେତ୍ରେ ଥାଇ ବରତନ କି କରିବୁ

ଶ୍ରୀମୁଖରେ ହେଉ ଆଜ୍ଞା ପାଦ ସେବିଥିବୁ ।

ନୃସିଂହ ସ୍ୱାମୀ ଶୁଣିଣ ଅନ୍ତର୍ଗତେ ହସି

ନଗରକୁ ବିଜେ କଲେ ଗରୁଡ଼ରେ ବସି ।

ବାଜଇ ରତ୍ନକଂସାଳ ଖୋଳ କରତାଳି

ବସିଣ ଦେବଯାନରେ ଶେଷଦେବ ଚଳି ।

ବାମଭାଗେ କର୍ଣ୍ଣାଟେଶ ଦକ୍ଷିଣରେ ମନ୍ତ୍ରୀ

ଚଳନ୍ତି ଆଗ ପଛରେ ସୈନ୍ୟ ସେନାପତି ।

ଅବତରି ଗରୁଡ଼ରୁ ପ୍ରଭୁ ଜଗଦୀଶ

ଶ୍ରୀବଦ୍ରିକା ନଗ୍ରେ ଯାଇ ହୋଇଲେ ପ୍ରବେଶ ।

ଦେବଯାନ ତେଜି ଶେଷଦେବ ବିଜେକଲେ

ସଭିଙ୍କୁ ମେଲାଣି ଦେଇ ମନ୍ଦିରକୁ ଗଲେ ।

ଏଥୁଅନ୍ତେ ସନ୍ଧ୍ୟାସାରି ଶ୍ରୀପରମେଶ୍ୱର

ମାତା ପିତାଙ୍କୁ ଯାଇଣ କଲେ ନମସ୍କାର ।

ଆଶିଷ ଦେଇ ଅନେକ ଶ୍ରଦ୍ଧା ମାତା କଲେ

ଅରିଷ୍ଟ ଖଣ୍ତନ ପାଇଁ ବିପ୍ରେ ଦାନ ଦେଲେ ।

ବ୍ରାହ୍ମଣ ଲକ୍ଷେକ ବରି କଲେ ଦାନ ପୁଣ୍ୟ

ସେବିଲେ ଗାବ ଦୋହନା କରି ପଞ୍ଚାନନ ।

ଦେବୀ ଆଳୟକୁ ଯାଇ ଉପନ ଯେ ଦେଲେ

ସନ୍ନ୍ୟାସୀଙ୍କୁ ବରିଣ ସେ ତୋଷ କରାଇଲେ ।

ପୁତ୍ରଙ୍କର ରିଷ୍ଟ ଶାନ୍ତ କରି ବାପମାଏ

ମଣୋହି ସ୍ଥାନରେ ବିଜେକଲେ ଦେବରାୟେ ।

ଜଗତଜନନୀ ଲକ୍ଷ୍ମୀ ଷଡ଼ରସ ଆଣି

ସ୍ୱାମୀ ଦିଅର ଶ୍ୱଶୁରେ ପରଷଇ ପୁଣି ।

ସମସ୍ତେ ଯେ ଏହିରୂପେ ଭୋଜନକୁ ସାରି

ଶୟନ ମନ୍ଦିରେ ଶ୍ରୀନୃସିଂହ ବିଜେକରି ।

ଶ୍ରୀମହାଲକ୍ଷ୍ମୀ ଆସିଣ ଚରଣ ସେବିଲେ

ଆବର ଯେ ଅଷ୍ଟସଖୀ ଚାମର ଢାଳିଲେ ।

ଚୌଷଠି ସହସ୍ର କନ୍ୟା ଗାନ୍ଧାର ରାଗରେ

ଗୀତ ଗାଇ ନାଚନ୍ତି ଯେ ବିବିଧ ରଙ୍ଗରେ ।

ସ୍ତିରୀଙ୍କ ମଧ୍ୟେ ନୃସିଂହ ଏକା ବିଜେ କରି

ସବୁରି ମନକୁ ମୋହିଛନ୍ତି ନରହରି ।

ସୋ ମାୟା ବିହାର ଭାବ ଅଟଇ ଅଗମ୍ୟ

ଏ ଭାବେ ବିହାର ଲଗାଇ ସେ ପରଂବ୍ରହ୍ମ ।

ପାଞ୍ଚନ୍ତି ସର୍ବେ ମନେ ମୋ ସଙ୍ଗେ ଏକାହରି

ରମଣ କରୁଅଛନ୍ତି ସର୍ବ ତେଜ୍ୟା କରି ।

ସେ ସ୍ତିରୀ ବୃନ୍ଦଙ୍କ ମନେ ହୁଏ ଏହି ଭାବ

ଆନ ନ ଜାଣେ ଜାଣନ୍ତି ଏକା ବାସୁଦେବ ।

ଶ୍ରୀମହାଲକ୍ଷ୍ମୀ ଜାଣନ୍ତି ପୁଣି ନାରାୟଣ

ସବୁକୁହିଁ ଅଗୋଚର ସେହି ଲୀଳା ଶୁଣ ।

ଲକ୍ଷ୍ମୀ ବ୍ୟତୀତ ହରି ନ ରସେ ଅନ୍ୟସ୍ତିରୀ

ସବୁବେଳେ ଲକ୍ଷ୍ମୀଙ୍କି ସେ କୋଳେ ଥାନ୍ତି ଧରି ।

ଏଣୁ ସେହି ମହାଲକ୍ଷ୍ମୀ ଅଟେ ସୁଲକ୍ଷଣୀ

ନୃସିଂହ ଅକ୍ଷୟ ଅକ୍ଷୟା ଯେ କମଳିନୀ ।

ଦଶଅବତାରରେ ଯେ ଏକ ବିଷ୍ଣୁଲୀଳା

ଏହା ନ ଚିହ୍ନି ପ୍ରାଣୀଏ ହେଉଥାନ୍ତି ଭୋଳା ।

ଶ୍ରୀଦଶଅବତାରରେ ଯେତେ ଲୀଳା ଖେଳ

ଅଜ୍ଞାନ ପ୍ରାଣୀଏ କରୁଥାନ୍ତି ସାନ ବଡ଼ ।

ଏ ଚାରି ଯୁଗେ ବିଷ୍ଣୁର ଲୀଳା ହୁଏ ଯେତେ

ସମାନ କରି ଘେନନ୍ତି ସବୁ ସୁପଣ୍ତିତେ ।

ସକଳ ଘଟରେ ଲକ୍ଷ୍ମୀ ନୃସିଂହ ଯେ ବିଜେ

ଲକ୍ଷ୍ମୀଟି ପରମ ଜାଣ ଜୀବ ଦେବରାଜେ ।

ଶ୍ରୀ ନୃସିଂହ ବକ୍ଷସ୍ଥଳେ ଲକ୍ଷ୍ମୀ ଯେଣୁ ଛନ୍ତି

ଲାଗିଛି ତେଣୁ ଏ ସର୍ବଘଟେ ଲୀଳାରୀତି ।

ଏକାଥା ଚିହ୍ନିପାରନ୍ତି ଏକା ସାଧୁ ପ୍ରାଣୀ

ଶୁଣନ୍ତି ନାରଦ ଯାହା ଭଣେ କୁଶପାଣି ।

ମୁହିଁ ବିପ୍ର ପୀତାମ୍ବର ଅଟେ ନରାଧମ

ଋଷିକୁଲ୍ୟା ନଦୀତଟେ ଅଟେ ମୋର ଗ୍ରାମ ।

ଗଲାଣି ସପ୍ତପୁରୁଷ ବୈଷ୍ଣବ ମତରେ

Unknown

ରହିଛି ମୁଁ ମଠ ବାନ୍ଧି ଋଷିକୁଲ୍ୟା ତୀରେ ।

ଭକତିଭାବେ ଶୁଣିବେ ଯେହୁ ଏହି ଗ୍ରନ୍ଥ

ଖଣ୍ତିବେ ସେ ଲୋକ କ୍ଳେଶମାନ ଜଗନ୍ନାଥ ।

ସୁଜନଙ୍କ ସଭା ମଧ୍ୟେ ପଢ଼ିବେ ଯେ ବସି

ଶୁଣିବା ଲୋକକୁ ତାରନ୍ତି ଯେ ବ୍ରହ୍ମରାଶି ।

ସଙ୍କରାନ୍ତି ଆମାବାସ୍ୟା ପୌର୍ଣ୍ଣମୀରେ ଯେବେ

ଦ୍ୱାଦଶୀରେ ଶ୍ରାବଣାରେ ପଢ଼ି ବଟି ଶୁଭେ ।

ଆବର ଯେ ବ୍ୟତିପାତ ଦିନ କ୍ଷୟା ତିଥି

ରବି ଚନ୍ଦ୍ର ଗ୍ରହଣ ଯେ ଆବର ବୈଧୃତି ।

କାର୍ତ୍ତିକ ମାଘ ଆବର ମାସ ବଇଶାଖ

ସଂକଳ୍ପ କରି ଶୁଣିବେ ଏହା ଯେତେ ଲୋକ ।

ରାଶିକିଟି ନବଗ୍ରହେ ହେଲେ ଉଣା ଆସି

ସଂକଳ୍ପ କରି ପଢିବ ଏ ଗ୍ରନ୍ଥକୁ ବସି ।

ଚିତ୍ତକୁ ନିର୍ମଳ କରି ଶୁଣ ମନ ଦେଇ

ସକଳ ପାପ ଖଣ୍ତନ ତୋର ଯିବ ହୋଇ ।

ସୁଜ୍ଞାନୀ ସୁଜନ ସୁପଣ୍ତିତ ଯେତେ ନର

ଶୁଣିଲେ ନୋହିବେ ଚଉବର୍ଗ ଊଣା ତାର ।

ଯେବଣ କୁଳେ ସୁପୁତ୍ର ଥିବ ଜାଣ ଜନ୍ମି

ଶୁଣିବେ ନୃସିଂହ ଗ୍ରନ୍ଥ ଭରି କର୍ଣ୍ଣ ବେନି ।

ଲେଖଇ ନୃସିଂହ ଗ୍ରନ୍ଥ କହେ ପ୍ରଭୁ ମୋତେ

ବାଦ ବିବାଦ ମୁଁ କରି ନାହିଁ କଦାଚିତେ ।

ବୁଝିଲେ ଲୋଭ ବହିଲେ ମୋର ନ ସରଇ

ଭକ୍ତିରେ ମୁଁ ବୁଡ଼ିଅଛି ପାଦପଦ୍ମ ଧ୍ୟାୟି ।

ନୃସିଂହ ପୁରାଣ ଏହୁ ଅଟେ ଭବାର୍ଣ୍ଣବ

ବ୍ରାହ୍ମଣ ମୁଁ ପୀତାମ୍ବର ସେବେ ବାସୁଦେବ ।

 

      

 

 

ବଳି ବାମନୋପାଖ୍ୟାନ

 

ନୃସିଂହ ମହିମା ଏବେ ଶୁଣ ମନ ଦେଇ

ବିହାର କରୁ କରୁ ଯେ ରାତି ଗଲା ପାହି ।

ଶଯ୍ୟାରୁ ଉଠିଣ ପ୍ରଭୁ ଶ୍ରୀମୁଖ ପଖାଳି

ସ୍ନାନ ଦେବର୍ଚ୍ଚନ ସାରି ପ୍ରଭୁ ବନମାଳୀ ।

ମଣୋହି ସାରି ସଭାରେ କଲେ ଯାଇ ବିଜେ

ଶୁଣ ନାରଦ କହନ୍ତି ଯୁବରାଜ ଆଜେ ।

ମୁରରୁ କଥା କହିବା ଶୁଣ ଏବେ ତୋତେ

ମରନ୍ତେ ସେ ଅଷ୍ଟସେନା ବେଗେ ଗଲେ ଦୂତେ ।

ରାଜାର ଛାମୁରେ ଯାଇ ଶୁତି ପାଦେ ପଡ଼ି

ନ ପୁଚ୍ଛୁଁ ବାର୍ତ୍ତା କହନ୍ତି ଉଠି କରଯୋଡ଼ି ।

ବୋଲନ୍ତି ଶୁଣ ଅସୁରକୁଳ ଶିରୋମଣି

ବଦ୍ରିକାଦେଶୁଁ ଆସିଲୁ ଆମ୍ଭେ ଏହି କ୍ଷଣି ।

ସୈନ୍ୟଙ୍କୁ ବେଢ଼ି ମାଇଲେ ମିଳି ବିପ୍ରଗଣ

ସୈନ୍ୟ ଛେଦିଲେ ଚକ୍ରକୁ ପେଶି ନାରାୟଣ ।

ଯେତେ ଯାଇଥିଲେ ସର୍ବେ ଯୁଦ୍ଧେ ଆଜ ମଲେ

ଖବର ଦେବାକୁ ତହିଁ କେହି ନ ରହିଲେ ।

ଶୁଣିଣ ସେ ମୃରାସୁର ହେଲା ଥର ଥର

ବସିଲା ଠାବରୁ ଢଳି ପଡ଼ିଲା ନୃବର ।

ମୁକୁନ୍ଦ ସେ ମୂଢ଼ା ତାର ଛାମୁରେଣ ଥିଲେ

ସ୍ତମ୍ଭେ ଆଉଜାଇ ରାଜାକୁ ଯେ ବସଇଲେ ।

 

ଆବର ଆସିଲେ ପାତ୍ର ମନ୍ତ୍ରୀ ସର୍ବେ ଧାଇଁ

ସର୍ବେ ପ୍ରବୋଧନ୍ତି ଛାମୁରେଣ ଉଭା ହୋଇ ।

ପାଇକ ରାଉତ ସେନା ଆସି ସର୍ବେ ମାଡ଼ି

ରହିଲେ ରାଜାର ଚାରିପାଖଯାକ ବେଢ଼ି ।

ଆପଣା କପାଳେ ରାଜା ତାଡ଼େ ବେନି ପାଣି

ମନରେ ଶୋକ କରିଣ କାନ୍ଦେ ନୃପମଣି ।

ସବୁ ସେନାଙ୍କର ନାମ ଧରି ବେଳେ ବେଳେ

ରୋଦନ ସେ କରୁଅଛି ପଡ଼ି ଭୂମିତଳେ ।

ଆରେ ଆରେ ବୃକାସୁର ଆରେ ବୀରବାହୁ

ତୁମ୍ଭ ଘେନି ହୋଇଥିଲି ରଣରେ ମୁଁ ରାହୁ ।

ଆରେ ଆରେ ଲୋହାସୁର ଆରେ ରଣକେଶି

କେଡ଼େ ରଥୀମାନେ ଯାଇ ନ ପାରିଲେ ଆସି ।

ଆରେ ରେ ଅଲୋପି ଆହା ରେ ମଦନାବଳି

ସଲୋପି କୃତକେଶୀ ରେ ପାର ପୃଥ୍ୱୀଦଳି ।

ଆହା ରେ କାଙ୍କୋଳାସୁର ରେ ଖଡ଼ିକାସୁର

ଆରେରେ ସୌଦାସ କଣ୍ଠ ବିକଣ୍ଠ ରେ ମୋର ।

ଆରେ ଆରେ ବଜ୍ରମାଳି ଆରେ ରଣଚୂଡ଼

ଆରେ ଆରେ କାଳକେତୁ ସମରେ ତୁ ଗାଢ଼ ।

ଆରେ ଆରେ କଳ୍ପାସୁର ଆରେ ଶରଜିତ

ଆରେ ଆରେ ଜଳଘଣ୍ଟ ଚନ୍ଦ୍ରମାଳି ଦୈତ୍ୟ ।

ତୁମ୍ଭ ପ୍ରାୟେ କ୍ଷତ୍ରୀ ଆଉ ନ ମିଳଇ ମୋତେ

କି ଯୋଗ ମଲରେ ବାପ ଯାଇ ବିପ୍ରହସ୍ତେ ।

ଅଟଳ ମେରୁଗିରି କେ ଟାଳିଦେଲା ବାବୁ

ସମୁଦ୍ର ପାଣିଯାକକୁ ପିଇଲା କେ ସବୁ ।

ଆକାଶୁକୁ ଗିଳି କେହୁ ଦେଲା ରବିତଳେ

ପାତାଳକୁ ଫିଙ୍ଗି କେହୁ ଦେଲା ସ୍ୱର୍ଗଆଳେ ।

ତୁମ୍ଭ ଘେନି ପୁତ୍ରକୁ ମୁଁ ଥିଲି ଆରେ ମୂର୍ଚ୍ଛି

ଅକାଳ କାଣ୍ତ ହୋଇଲେ ମୋତେ ବିପ୍ରବତ୍ସି ।

ହୋମ ଘୃତ ପୋଡ଼ି ବୋଲନ୍ତି ଯେ ସ୍ୱାହାସ୍ୱାହା

ସେହି ମୋତେ କନ୍ଦାଇଲେ କରି କୁଆବୁଆ ।

ମୁଁ ଯେଉଁ ଦିନ ଯୁଦ୍ଧକୁ ଯିବି ଜାଣ ଉଠି

ବ୍ରାହ୍ମଣଙ୍କର ଆଉ କି ରଖିବଇଁ ସୃଷ୍ଟି ।

ଦେଖି ମୋତେ ପଳାନ୍ତି ଯେ ସନ୍ଧ୍ୟା ପୂଜାଛାଡ଼ି

ଲୋକଙ୍କୁ କରନ୍ତି ଆଶୀର୍ବାଦ ମନ୍ତ୍ର ପଡ଼ି ।

ଗଡୁ ତମ୍ଭାପାତ୍ର ଶ୍ରୁବ କାହିଁ ହଜିଯାନ୍ତା

ସଂସାରେ ବ୍ରାହ୍ମଣ ନାମ ଆଉ ନ ରହନ୍ତା ।

 

ଛଡ଼ାଇଣ ଗୃହ ବାଡ଼ି ପିଟିଥାନ୍ତେ ଯେବେ

ବିପ୍ରମାନେ ବର୍ତ୍ତି ରହିଥାଆନ୍ତେ କି ଶୁଭେ ।

ତୁମ୍ଭପରା ରଥୀ ଯାଇ ସର୍ବେ ମରିଗଲା

ବିପ୍ର ଅଳସୁଆ ଜାତି ହାତେ ପ୍ରାଣ ଦେଲା ।

ବୁଝିଲେ ମୋ ତୁଲେ ବଡ଼ ସଂସାର କେ ଅଛି

ନିତ୍ୟ ଆସି ଆଶୀର୍ବାଦ କରନ୍ତି ବିରଞ୍ଚି ।

ଦଶଦିଗପାଳେ ମୋର ଭଣ୍ତାର ଜଗନ୍ତି

କୁବେର ଭୃତ୍ୟପରି ମୋ ସେବାରେ ଲାଗନ୍ତି ।

ଯେବଣ କୁଳରେ ମୁହିଁ ହୋଇଅଛି ଜାତ

ସେ ବଂଶ ମହିମା ସୃଷ୍ଟି ମଧ୍ୟେ ଅଲୋକିତ ।

ସବୁ ବେଦପରେ ଯେହୁ ଅଟେ ସୁରରାଜ

ସେ ସୁରରାଜ ମହିମା କହୁଅଛି ବୁଝ ।

ଅଣାକାର ବ୍ରହ୍ମରୁ ଆକାର ହେଲେ ଆସି

ସେ ଆକାର ସ୍ୱୟମ୍ଭୁରୁ ଶ୍ରୀବିଷ୍ଣୁ ପ୍ରକାଶି ।

ସେ ବିଷ୍ଣୁ ନାଭିକମଳୁ ବ୍ରହ୍ମା ହେଲେ ଜାତ

ସେ ବ୍ରହ୍ମାଙ୍କ ବୀର୍ଯ୍ୟରୁ ମୁଁ ହୋଇଛି ସମ୍ଭୁତ ।

ଅକ୍ଷୟ କୁଳେ ହୁଅନ୍ତେ ମୁହିଁ ଅବତାର

ଅକ୍ଷୟ ବରଟି ମୋତେ ଦେଲେ ଉମାବର ।

ବିଧାତା ଥିବାଯାକ ନ ସ୍ପର୍ଶେ ମୋତେ ରୋଗ

ବୟାଅଶୀ ଗଣ୍ତା ଯୁଗ କଲିଣି ମୁଁ ଭୋଗ ।

ଅନଳେ ଜଳେ ସ୍ଥଳେ ମୋ କାହିଁ ନାହିଁ ମୃତ୍ୟୁ

କେବଳ ବୁଡ଼ିଲା ବଂଶ ବ୍ରାହ୍ମଣଙ୍କ ହେତୁ ।

ରାଜାର ବିଷାଦ ଦେଖି ସୁବିଜ୍ଞ ଯେ ମନ୍ତ୍ରୀ

ବୋଇଲେ ହେ ସାବଧାନେ ଶୁଣିମା ନୃପତି ।

ବ୍ରାହ୍ମଣ ଗୋସାଇଁଙ୍କି ନ ମଣ ତୁମ୍ଭେ ସାନ

ବ୍ରାହ୍ମଣ ଘରେ ଜନ୍ମନ୍ତି ସିନା ଭଗବାନ ।

ବିପ୍ରମାନେ ବିଷ୍ଣୁଠାରୁ ଅଟନ୍ତି ଯେ ବଡ଼

ବ୍ରାହ୍ମଣ ଯେ ନ ମାନଇ ସେହି ଲୋକ ମୂଢ଼ ।

ସେ ବ୍ରାହ୍ମଣ ସାକ୍ଷାତରେ ଜାଣ ବିଷ୍ଣୁ ଅଂଶ

ବିପ୍ରଙ୍କୁ ନ ମାନିଲେ ସେ ବିଶ୍ୱ ହୁଏ ଭସ୍ମ ।

ବ୍ରାହ୍ମଣଙ୍କଠାରୁ ବଡ଼ ସଂସାରେ କେ ନାହିଁ

ସେ ତୋ ବଇରୀ ପାରିଲେ ମାର ତାକୁ ଯାଇ ।

ବଇରୀ ମାଇଲେ କେବେ ହୁଏ ନାହିଁ ଦୋଷ

ବ୍ରାହ୍ମଣ ନିନ୍ଦା ଆଉ ନକର ନୃପଈଶ ।

ଯେଉଁରୂପେ ବିପ୍ରଘରେ ବିଷ୍ଣୁ ଜନ୍ମ ହୁଏ

ସେ କଥା କହିବା ଶୁଣ ସାବଧାନେ ରାୟେ ।

ବ୍ରହ୍ମାଙ୍କର ଜ୍ୟେଷ୍ଠପୁଅ ବଶିଷ୍ଠ ଯେ ମୁନି

ପଢ଼ୁଥିଲେ ସେ ପୁରାଣପୋଥି ଦିନେ ଘେନି ।

ତାହାଙ୍କ ମୁଖରୁ ଆମ୍ଭେ ଶୁଣିଅଛୁ ଯାହା

ସେ କଥା ତୁ ସାବଧାନେ ଶୁଣ ନୃପନାହା ।

ଭବିଷ୍ୟତ କଥା ପଛକୁଟି ଯାହା ହେବ

ବିଷ୍ଣୁଙ୍କର ଜନ୍ମଲୀଳା କହିବା ତା ଭାବ ।

ଶୁଣୁଥିଲେ ବିଷ୍ଣୁ ଲୀଳା ଚାରି ଯୁଗେ ସରି

ଥିବା ଲୋକ ପୁଚ୍ଛନ୍ତି ଯେ ଅର୍ଥ ସଙ୍ଗ କରି ।

ପୁରାଣ ପୋଥିକୁ ଧରି ବଶିଷ୍ଠ ମହର୍ଷି

ସଭାରେ ଯେ କହୁଥିଲେ ଶୁଣିଛ ଯେ ବସି ।

ଭବିଷ୍ୟତ କଥା ଯେତେ ହୋଇବ ତଳକୁ

ତହିଁର ପ୍ରସଙ୍ଗ କହୁଅଛି ଆପଣଙ୍କୁ ।

କଶ୍ୟପ ଋଷି ଅଟନ୍ତି ଜାଣ ବ୍ରହ୍ମଯତି

ତାଙ୍କ ଗୃହେ ବିଷ୍ଣୁ ଯାଇ ହେଲେ ଉତ୍ପତ୍ତି ।

କଶ୍ୟପ ପତ୍ନୀ ଅଦିତି ନାମେ ଠାକୁରାଣୀ

ସେ ମାତାଗର୍ଭୁ ପ୍ରସବ ହେଲେ ଚକ୍ରପାଣି ।

ଯହିଁକି ସେ ଜନ୍ମ ହେଲେ କହିବା ତା ଶୁଣ

ବଳିରାଜା ବୋଲି ଜଣେ ଥିଲା ନୃପରାଣ ।

ମହା ଚକ୍ରବର୍ତ୍ତୀ ପଣେ ନୃପତି ସେ ହେଲା

ଯେ ଯାହା ମାଗିଲେ ଦାନ ଅନୁକ୍ଷଣେ ଦେଲା ।

ଦାନ ଦେଇ ପାଞ୍ଚେ ମୁଁ ଯେ ହେବି ସ୍ୱର୍ଗେ ଇନ୍ଦ୍ର

ମୋହର ସମାନେ କେହୁ ହେବ କି ନରେନ୍ଦ୍ର ।

ମୋହ ପ୍ରାୟ ଦାନୀ ନାହିଁ ସଂସାରେ କେ ଜନ

ଲକ୍ଷେକୋଟି ସୁବର୍ଣ୍ଣ ମୁଁ ଦିଏ ନିତି ଦାନ ।

ରାଜନ ସାତ୍ତ୍ୱିକ ଗୁଣେ ଦାନ ଦେଇଥାଇ

ବିପ୍ରଙ୍କର ପ୍ରୀତି ଅର୍ଥେ ପୁଣ୍ୟ ନ ବାଞ୍ଛଇ ।

ମୁହିଁ ବଡ଼ଦାତା ବୋଲି କହେ ପୃଥ୍ୱୀଯାକେ

ବୋଲଇ ମୋହପ୍ରାୟେ କେ ନାହିଁ ତିନିଲୋକେ ।

ଏ ରୂପେ ମୁଁ କାର ବାଣୀ ଦେବତାଏ ଶୁଣି

ସହି ନ ପାରି କହିଲେ ଯାଇ ଚକ୍ରପାଣି।

ଦେବଙ୍କର ବାକ୍ୟଗୋଟି ଶୁଣି ଭଗବାନ

ଅଦିତି ମାତା ଗର୍ଭରୁ ହୋଇଲେ ଜନମ ।

ବିଷ୍ଣୁ ଜନ୍ମନ୍ତେ ଦିଶିଲା ପୃଥ୍ୱୀ ଶୋଭାକର

ଶ୍ରୀଜଗମୋହନ ପ୍ରଭୁ ବାମନାବତାର ।

ଏଡ଼େ ହେଲେ ଶୋଭା ଦିଶୁଥାନ୍ତି ଜଗତରେ

ଜନ୍ମ ହୋଇଲେ ବାମନ ଅଦିତି ଉଦରେ ।

କଶ୍ୟପର ପରିବାରୀ ଯେତେ ଥିଲେ ତହିଁ

ସେବିଲେ ସର୍ବେ ବାମନ ବିଷ୍ଣୁ ପାଦେ ଯାଇ ।

ଏହି ଯେ ନୃସିଂହ ଦେବ ବାମନାବତାର

ସେ ବାମନ ବିଷ୍ଣୁ କଥା ଶୁଣ ନୃପବର ।

ଅଦିତି ଗର୍ଭୁ ପ୍ରସବ ହୁଅନ୍ତେ ସେ ଆସି

ବ୍ରହ୍ମାଣ୍ତଯାକକୁ ଶୋଭା ଦିଶିଲେ ପ୍ରକାଶି ।

ବାଳକ ତନୁ ଧରି ସେ ଜାତ ନରହରି ।

ଲାଗିଲେ ସେବାରେ ବସି କଶ୍ୟପର ନାରୀ ।

କଂସାଳ ଯେ ତାଳ ଖୋଳ ବାଇ ନାଭି କାଟି

ସ୍ନାନାଦି କରାଇଦେଲେ ଅଙ୍ଗେ ବୋଳି ଘୁଟି ।

ଅନ୍ତୁଡ଼ି ଶଯ୍ୟା ପାରିଣ ଦେଲେ ହୁଳହୁଳି

ବାମନ ଗୋସାଇଁ କୁ ସେ କରେ ଧରି ତୋଳି ।

ଶଯ୍ୟାପରେ ଶୁଆଇଲେ ନେଇ ଚକ୍ରପାଣି

କୁସୁମ ବୃଷ୍ଟି କରନ୍ତି ସ୍ୱର୍ଗୁ ଦେବେ ଆଣି ।

ଚନ୍ଦନ ଦାରୁକାଠରେ ଅତଡାକୁ କରି

ସେବନ୍ତି ସେ ବାମନଙ୍କୁ କଶ୍ୟପର ନାରୀ ।

ଏଥୁଅନ୍ତେ ଅଦିତି ଯେ ବିଷ୍ଣୁଙ୍କର ମାତା

କୁଶଙ୍କା କରି ପୁତ୍ରଙ୍କୁ କରେ ମନେ ଚିନ୍ତା ।

ପାଞ୍ଚନ୍ତି ଏ ରୂପେ କେହ୍ନେ ଜନ୍ମିଲା ବାଳକ

ମାପିଲେ ବାର ଅଙ୍ଗୁଳି ହେବ ଦେହଯାକ ।

କେଉଁ ବଳିଷ୍ଠ ହୋଇ ଏ ପୋଷିବ ଆମ୍ଭଙ୍କୁ

କହିବାକୁ ଆସେ ମାତ୍ର ପୁତ୍ର ବୋଲିବାକୁ ।

ଏ ରୂପେ ଜନ୍ମିଲେ ମୂର୍ତ୍ତି ଧରି ଯେବେ ଆସି

ତେଣୁ ପୁତ୍ର ନାମ ହେଉ ଯେ ବାମନ ଋଷି ।

ମାତା ଦେବା ନାମ ଶୁଣି ହସି ଭଗବାନ

ଶଯ୍ୟାରୁ ଉଠି କହନ୍ତି ବସି ସୁବଚନ ।

ବୋଲନ୍ତି ଜନନୀ ତୁମ୍ଭେ ଶୁଣ ଦକ୍ଷଜେମା

ତୁମ୍ଭ ଆଗେ ଆମ୍ଭେ କହିପାରୁ କି ମହିମା ।

କଶ୍ୟପଋଷି ବୋଲିଣ ଯେ ଆମ୍ଭର ବାପ

ବୁଝିଲେ ନିମିଷ ଅଟେ ତାଙ୍କୁ କୋଟିକଳ୍ପ ।

ତାହାଙ୍କ ମୁଖରୁ ତୁମ୍ଭେ ସବୁ ଅଛ ଶୁଣି

ଆପଣଙ୍କ ଆଗେ ଆମ୍ଭେ କହିବୁ କି ପୁଣି ।

ଆମ୍ଭର ଯେତେକ ଜନ୍ମ ତୁମ୍ଭଙ୍କୁ ସେ ଦିନେ

ଏ କଥା ବୁଝିଣ ତୁମ୍ଭେ ଭାଳୁଛ କେସନେ ।

ଆମ୍ଭେ ପୁଣି ଅବତାର ହେବୁ ଦଶଥର

ଲୀଳା ସାରି ଯିବୁ ପୁଣି ବଇକୁଣ୍ଠପୁର ।

ତୁମ୍ଭେ ଅଜ୍ରାମର ହୋଇଥିବ ଦେହ ଧରି

ବିଷ୍ଣୁଙ୍କୁ ଯେ ଭଜି ଭଜି ଭବୁଁ ଯିବୁ ତରି ।

ଆମ୍ଭଙ୍କୁ ଦେଖନ୍ତି ନେତ୍ର ଯୋଗେ ଯେତେ ନରେ

ତାହାଙ୍କ କି ବ୍ରତ ଲୋଡ଼ା ଅଟଇ ସଂସାରେ ।

ନାନାଦି ତୀର୍ଥ ବ୍ରତ ଯେ ଘେନି ତୁଚ୍ଛ କରି

ଯେ ଭଜେ ନିତ୍ୟ ଶ୍ରୀରାମ କୃଷ୍ଣ ନରହରି ।

ଯେବଣ ପ୍ରାଣୀ ପରକୁ ଜାଣ ହିଂସାକରେ

ଦେବତା ପୂଜି ସେହୁ ସେ ତରଇ ସଂସାରେ ।

ତୁମ୍ଭେ ତ ଅମର ହୋଇ ବ୍ରହ୍ମାଣ୍ତରେ ଥିବ

ବିଷ୍ଣୁଙ୍କୁ ଯେ ଭଜି ଭଜି କାଳ ବଞ୍ଚିଯିବ ।

ଏ ରୂପେ ଜ୍ଞାନ କହନ୍ତେ ଶେଯୁଁ ବାଳା ଉଠି

ଶୁଣି କରି ଚମତ୍କାର ହେଲେ ଅଦିତିଟି ।

ବୋଇଲା କହିଲା କେଡ଼େ ଜ୍ଞାନ ପୁତ୍ର ହୋଇ

ଯାହାଟି ଯୋଗିନ୍ଦ୍ରମାନେ ନ ପାରିବେ କହି ।

ଜାଣିଲା ମୋହର ମନ କଥା କେହ୍ନେ ବଳା

ଅନ୍ତୁଡ଼ିଶାଳରୁ ଉଠି କହେ ଜ୍ଞାନକଳା ।

ସିଦ୍ଧପୁରୁଷ ଜଣେ କି ଜନ୍ମ ହେଲା ଆସି

ନୋହିଲେ କହନ୍ତା ଏଡ଼େ କଥା କେହୁ ବସି ।

ପୁଚ୍ଛିବି ୟାଙ୍କ ମହିମା ଯେବେ ପଦେ ମୁହିଁ

କେଉଁ ପୁରୁଷ ଜନ୍ମିଲେ ଆସି ଦେହ ବହି ।

ଏ ରୂପେ ପାଞ୍ଚି ବୋଇଲେ ମାଏ ଶୁଣ ବାପ

ଆପଣ କେ କହ ବାବୁ ନ କରିଣ କୋପ ।

ବାମନ ବୋଇଲେ ଆମ୍ଭେ ପରଂବ୍ରହ୍ମଚାରୀ

କ୍ଷୀରର୍ଣ୍ଣବ ଛାଡ଼ି ଆସିଅଛୁ ବିଜେ କରି ।

ପରମହଂସ ବୋଲାଉ ଆମ୍ଭେ ଆଦିମୂଳ

ଭକତକୁ ପ୍ରତିପାଳୁ ରଖୁ ଦେବକୁଳ ।

ଆମ୍ଭକୁ କରନ୍ତି ବିପ୍ରେ ସବୁକାଳେ ପୂଜା

ବ୍ରାହ୍ମଣ ବିନା ପୂଜା ନ ପାରେ ହେଲେ ରାଜା ।

ଜଳ ତୁଳସୀ ଦେଇଣ ଭାବନା ଯେ କରେ

ଷୋଡ଼ଶ ମୁଦ୍ରାଦି ଉପଚାରେ ପୂଜା କରେ ।

ସର୍ବଦା ବିପ୍ରଙ୍କ ଘରେ ଆମ୍ଭର ଯେ ଜନ୍ମ

ଦେବହୁତିଗର୍ଭେ ହେବୁ କପିଳ ଯେ ନାମ ।

ଦେବବ୍ୟାସ ଅଂଶେ ପୁରାଣକୁ ବଖାଣିବୁ

ଜମଦଗ୍ନି ପରେ ପର୍ଶୁରାମ ଯେ ହୋଇବୁ ।

ଆଦ୍ୟରୁ ଯେ ଆମ୍ଭ ନାମ ହେଲା ଜାଣ ଯେତେ

ସମୂହେ କହିବା ତାହା ଶୁଣ ବିଧିମତେ ।

ଶ୍ରୀମତ୍ସ୍ୟ କୂର୍ମ ବରାହ ନୃସିଂହ ବାମନ

ପର୍ଶୁରାମ ରଘୁନାଥ ଦେବକୀ ନନ୍ଦନ ।

ଉଦ୍ଧବ କଳକି ଏହି ରୂପେ ଅବତାର

ନିତ୍ୟସ୍ଥଳୀରୁ ପ୍ରକାଶି ଆସି ମଞ୍ଚପୁର ।

ଲୀଳା ସରିଲେ ପୁଣି ଯେ ବୈକୁଣ୍ଠକୁ ଯାଉ

ଶୁଣ ଗୋ ଜନନି କହୁଛନ୍ତି ମହାବାହୁ ।

ଏବେ ବାମନ ରୂପରେ ହେଲୁ ଅବତାର

ଯାଉଛୁ ବଳିକି ଦାନ ମାଗି ତିନିପୁର ।

ସେ ତିନିପୁର ତୁମ୍ଭଙ୍କୁ ମାଗିଦେଇ ଯିବୁ।

ଏହି ନିମନ୍ତେ ଜନ୍ମିଲୁ ଆମ୍ଭେ ତୁମ୍ଭ ଗର୍ଭୁ ।

କୁଶଙ୍କୁ ନ କରି ମୋତେ ଘେନିଲ ଯେ ମଏ

ପୋଷି ନ ପାରିବ ବୋଲି କରୁଛ ଯେ ଭୟେ ।

ଏ ସଂସାରେ ଯେତେ କାଳ ଥିବ ତୁମ୍ଭେ ଜୀଇଁ

ଦେଉଛି ଅଚିନ୍ତେ ଭୋଗ କର ଦାନ ଭୂଇଁ ।

ଦାନ ଦେଇ ସେ ପୃଥ୍ୱୀକି ହରନ୍ତି ଯେ ଲୋକ

ଷାଠିଏ ସହସ୍ର ଜନ୍ମ ପଡ଼େ କୁମ୍ଭୀପାକ ।

ଆପଣାର କଲା କୀର୍ତ୍ତି ପର କଲା କୀର୍ତ୍ତି

ଅଜ୍ଞାନେ ହରିଲେ କେହୁ ହୁଏ ନର୍କଗତି ।

ଦେବତା ବ୍ରାହ୍ମଣ ଶାପେ ହୁଏ ସେ ନିବଂଶ

ଶୁଣ ଆଗୋ ଦକ୍ଷ ଜେମା କହନ୍ତି ରମେଶ ।

ଦାନ ଘେନିଣ ତୁମ୍ଭଙ୍କୁ ପୃଥ୍ୱୀ ଦେଇ ଯିବୁ

ପିତା ମାତା ସର୍ବ ଆମ୍ଭେ ପ୍ରତ୍ୟକ୍ଷ ପାଳିବୁ ।

ପିତା ମାତାଙ୍କ ସେବା ଯେ ନ କରନ୍ତି ଜାଣ

ପର ଜନ୍ମେ କୁଳନାଶ ହୁଅନ୍ତି ସେ ପୁଣ ।

ମାଏ ବୋଇଲେ ରେ ବାପ ତୁମ୍ଭେ ମୋର ସୁତ

ତୁମ୍ଭର ସର୍ଜନା ସିନା ଅଟେ ଏ ଜଗତ ।

ମୁଁ ରାଢ଼େଣୀ ତୁମ୍ଭଙ୍କୁ ନ ପାରଇ ଯେ ଚିହ୍ନି

ମାନବ ପରାୟେ ମଣି କହିଲି ନ ମାନି ।

ବୁଝିଲେ ଆପଣ ପ୍ରତ୍ୟକ୍ଷରେ ଭଗବାନ

ଶ୍ରୀମୁଖେ କହ ଶୁଣିମା ତୋର ସୁବଚନ ।

ପଦେ ମୁଁ ପଚାରୁଅଛି ଜୀବ ମୋକ୍ଷ ପାଇଁ

କହିବ ଅଳପ କରି ଶୁଣିବି ଯେ ମୁହିଁ ।

ବାମନ ବୋଇଲେ ଆମ୍ଭେ ବିପ୍ର ବ୍ରହ୍ମଚାରୀ

ଆତ୍ମା ସ୍ୱରୂପ ସକଳ ଘଟେ ଅଛୁ ପୂରି ।

ସେ ଆତ୍ମାଗୋଟି ମାତା ଗୋ ତୁମ୍ଭ ହୃଦେ ଚିହ୍ନ

ତୁମ୍ଭ ଆତ୍ମାରୁ ପ୍ରାକାଶି ଅଛନ୍ତି ବାମନ ।

ସେ ଆତ୍ମାରୁ ସୂତ୍ର ଚାଲି ଶୁଣସି ଗୋ ମାଏ

ଦ୍ୱିପାଦ ଛନ୍ଦା ହୋଇଣ ପାଦେ ଚାଲୁଥାଏ ।

ସେ ପାଦଟି ଗୋବିନ୍ଦର ଅଟେ ପଦ୍ମପାଦ

ଅନୁକ୍ଷଣେ ସ୍ମରଣରେ ଗଳେ ମକରନ୍ଦ ।

ଏ ମକରନ୍ଦ ଯେ ଜାଣ ଚିହ୍ନି ପିଇପାରେ

କଦାଚ ରୋଗ ନ ପାରେ ତା ଶରୀରେ ।

ଏ କଥାକୁ ତଥ୍ୟକରି ପାରନ୍ତି ଯେ ଚିହ୍ନି

ସେହିମାନେ ତରିଯାନ୍ତି ଶୁଣ ଗୋ ଜନନୀ ।

ଶ୍ରୀକୃଷ୍ଣ ପ୍ରଭୁଙ୍କର ଶ୍ରୀପାଦପଦ୍ମ ପୁଷ୍ପ

ସେ ପଦ୍ମରୁ ଅନୁବ୍ରତେ ଗଳେ ମଧୁରସ ।

ମଧୁମାଛି ପ୍ରାୟ ପାରେ ମନକୁ ଯେ କରି

ସେମାନେଟି ମକରନ୍ଦ ପାଇଛନ୍ତି ତରି ।

ଏହି ମକରନ୍ଦ ପାନକର ଗୋ ଜନନୀ

ଏ ରୂପେ ଚିହ୍ନାଇ ଦେଲେ ସେ ବାମନ ମୁନି ।

ବୋଇଲେ ବହୁ କହିଲେ ହୋଇବ ବା କିସ

ଶୁଣିଣ କଶ୍ୟପ ପ୍ରିୟା ହେଲେ ମନ ତୋଷ ।

ବାମନ ବିଷ୍ଣୁ କଥାରେ ତାଙ୍କୁ ବୋଧ ଦେଇ

ବୋଇଲେ ଯାଉଛି ବଳିଠାରୁ ଦାନ ପାଇଁ ।

ଅଦିତି ବୋଇଲେ ବାପ ଶୁଣ ହେ ବାମନ

ବ୍ରତ ନୋହୁଣୁ ଘେନିବ ତୁମ୍ଭେ କେହ୍ନେ ଦାନ ।

ଶୁଣିକରି ମନେ ମନେ ହସି ଭଗବାନ

କଥାଏ କହିବି ଏବେ ଶୁଣ ମୋ ବଚନ ।

ବାମନ ବୋଇଲେକ ଗୋ ଶୁଣିମା ଜନନି

ଗର୍ଭୁ ଜନମି ପଇତା କନ୍ଧେ ଆମ୍ଭେ ଘେନି ।

ଉଦରରେ ନବମାସ ହୋଇବା ଉତ୍ତାରୁ

ତେତେବେଳେ ବସି ଆମ୍ଭେ ବ୍ରହ୍ମାଙ୍କୁ ସୁମରୁ ।

ଅଠାଶି ସହସ୍ର ଋଷି ଘେନି ବେଦବର

ମଶାରୂପେ ତୁଣ୍ତେ ଗଳି ପଶିଲେ ତୁମ୍ଭର ।

ନିଶ୍ଚେଷ୍ଟ ହୋଇ ନିଦ୍ରାରେ ଥିଲ ତୁମ୍ଭେ ଶୋଇ

ଆମ୍ଭେ ଥିବା ସ୍ଥାନ ଜାଣ ବିଷ୍ଣୁ ଗର୍ଭ ବହି ।

ବିଷ୍ଣୁର ମହିମା ଏଡ଼େ ଅଟଇଟି ଜାଣ

ଆନକେ କରିପାରେ ଏ କଥା ସଂସାରେଣ ।

ବ୍ରହ୍ମାଙ୍କୁ ବୋଇଲୁ ଆମ୍ଭେ ଗର୍ଭେ ବ୍ରତ କର

ବଳି ରାଜାର ଛାମୁକୁ ଯିବୁ ତତପର ।

ଶୁଣି ହେଉ ବୋଲି ବିହି ବ୍ରତ ବିଧି କଲେ

କନ୍ଧରେ ଯଜ୍ଞ ପଇତା ପିନ୍ଧାଇଣ ଦେଲେ ।

ଗଡୁ ତମ୍ଭାପାତ୍ର କୁଶବଟୁ ହସ୍ତେ ଦେଇ

ଗାୟତ୍ରୀମନ୍ତ୍ର କର୍ଣ୍ଣରେ ଦେଲେ ପୁଣି କହି ।

ଦେଖ ଦେଖ ଜନନୀ ଗୋ ସବୁ ମୋର ଅଛି

ଝୁଲି ଝୁଲି ହୋଇ ଚାଲି ଗଲେ ଶିରୀବତ୍ସି ।

ଜଗତମୋହନ ସ୍ୱାମୀ ସର୍ବ ମନ ମୋହି

ବଳି ରାଜାର ଛାମୁରେ ବିଜେ କଲେ ଯାଇଁ ।

ସିଂହଦ୍ୱାରେ ଦ୍ୱାରପାଳ ଯେତେ ଜଗିଥିଲେ

ବାମନଙ୍କୁ ଦେଖି ସର୍ବେ କୁହାଟି ହସିଲେ ।

ତାହାଙ୍କର ହସ ଦେଖି ବାମନ ଗୋସାଇଁ

ଚାଲନ୍ତି ଯେ ବାର ବାର ବିପ୍ରଛବି ଦହି ।

ବାମନ ରୂପକୁ ଚାହିଁ ଆସନ୍ତି ଯେ ଦେଖି

ଅଧିକ ଛୋଟ ହୋଇଣ ଚାଲନ୍ତି ପଦ୍ମାକ୍ଷି ।

ଚାହିଁ ଚମତ୍କାର ହୁଅନ୍ତି ସେ ସର୍ବଜନ

ବୋଲନ୍ତି କରିଛି ଭଲା ବିହି ଏହା ଜନ୍ମ ।

ଜଳାପଞ୍ଜରି ବାଟରେ ପଶି ଯିବ ଗଳି

କେଡ଼େ ଗେଲ ହୋଇ ବିପ୍ର ଚାଲେ ଢଳିଢଳି ।

ବଳି ମହାରାଜାଙ୍କର ଶୁଣି ଦାନୀପଣ

ତେଣୁ ଦାନ ମାଗି ଅବା ଆସିଛି ବ୍ରାହ୍ମଣ ।

ଏ ରୂପେ ବୋଲି ହୁଅନ୍ତି ଲୋକେ କୁହାକୁହି

ରାଜର ଛାମୁରେ ବିପ୍ର ପ୍ରବେଶିଲା ଯାଇ ।

ଆସନଶୁଦ୍ଧି କରିଣ ବସି ପଦ୍ମାସନେ

ଉଚ୍ଚାରିଲେ ଯଜୁର୍ବେଦ କାଣ୍ତ ଜନାର୍ଦ୍ଦନେ ।

ସର୍ବାୟ ଆତ୍ମା ବୋଲିଣ ଟେକି ରାଗେ ଧ୍ୱନି

ଶୁଣିଣ ବଳିରାଜାର କମ୍ପିଲା ମୁର୍ଦ୍ଧନି ।

ବୋଲନ୍ତି ଆହେ ବିପ୍ର ନ ପଢ଼ ଆଉ ବେଦ

ତୁମ୍ଭର ବେଦ ଶୁଣିଣ କମ୍ପୁଛି ମୋ ହୃଦ ।

ମାଗିବ ଯାହା ମୁଁ ଖୋଜି ଦେବି ନିଶ୍ଚେ ତାହା

ତୁମ୍ଭର ଏ ବେଦ ଶୁଣି କମ୍ପୁଛି ମୋ କାୟା ।

ତାହା ଶୁଣି ଅଧିକରେ ବାମନ ଗୋସାଇଁ

ସାମବେଦ ଉଚ୍ଚସ୍ୱରେ ବସିଲେକ ଗାଇ ।

ସେ କଣ୍ଠର ସ୍ୱର ପ୍ରାୟ ବ୍ରହ୍ମାଣ୍ତରେ ନାହିଁ

ତେତିଶକୋଟି ଦେବତା ଯେତେକ ଅଛଇ ।

ସ୍ୱର ଟେକିଲେ ଅମୃତ ପଡୁଅଛି ବହି

ସେ ବେଦନାଦେ ତରଳି ପଡ଼େ ଜାଣ ମହୀ ।

ବଳିରାଜା ବୋଇଲେ ହୋ ଶୁଣ ବିପ୍ରବର

କେଡ଼େ କ୍ଷୁଦ୍ର ତନୁ ବହି ଟେକି ଉଚ୍ଚସ୍ୱର ।

ତରଳି ହୋଇଲା ବଳି ବିପ୍ର ବେଦ ଶୁଣି

ଯାଚଇ ବଳେ ସେ ଦାନ ଧରି କୁଶପାଣି ।

ବୋଲଇ ବିପ୍ର ହୋ ମାଗ କରୁ କେଡ଼େ ହେଳ

ତୁରିତେ ଦାନ ଦେବି ନ ପାରେ ସହି କାଳ ।

ନୋହିଲେ ଯେ ଉପଦ୍ରବ ହେବ ଏଥି ଜାତ

ଦେବା ନେବା ଲୋକର ଯେ ନ ଥାଇ ଆୟତ୍ତ ।

ଦେବି ବୋଲିବା ଲୋକର କ୍ଷଣେ ହୋ ଏଆନ

ଏହି ସନ୍ଧି ବୁଝି ଏକା ପାରନ୍ତି ସୁଜନ ।

ଭିକ୍ଷା ମାଗିଲେକ ଷଡ଼ ନିଃଶ୍ୱାସେ ତା ଦେବ

ନୋହିଲେ ତ ମୂଲଲାଗି ନେବା ପ୍ରାୟ ହେବ ।

ନ ଦେଲେ ମାଗିଲାକ୍ଷଣି ଧର୍ମ ହୋଏ ତ୍ୟଜ୍ୟା

ଶୁଣ ଆହେ ବିପ୍ରବର କହେ ବଳିରାଜା ।

କେମନ୍ତେ ଯେ ଦେବି ବୋଲି ପାଞ୍ଚୁଥାଇ ବସି

ଭାଙ୍ଗଇ ଲୋଭ ଚଣ୍ତାଳ ହୃଦେ ତାର ପଶି ।

ନୋହିଲେ ବେନିକୁଳରୁ ଜଣକୁ ଯେ ବୋଧେ

କି ଅବା ରାଜାର ବଂଶ ପଡ଼ଇ ପ୍ରମାଦେ ।

କିବା ତା କୁଟୁମ୍ବ ଲୋକ ଭଗ୍ନ କରନ୍ତି ତ

ଏ ଘେନି ଦେଲାଠାରେ ନ କରି ହେଳାଚିତ୍ତ ।

ମାଗ ଆହେ ବିପ୍ରବର ଯାହା କର ଇଚ୍ଛା

ସତ୍ୟ କଲି ପୂରାଇବି ତୁମ୍ଭ ମନୋବାଞ୍ଛା ।

ବେଦଧ୍ୱନି ବନ୍ଦ କଲେ ଶୁଣି ଭଗବାନ

ଭେଳିକି ଲଗାଇ ତାକୁ କହନ୍ତି ବଚନ ।

ବୋଇଲେ ହେ ସାବଧାନେ ଶୁଣ ବଳିରାଜ

କୁଟୁମ୍ବକୁ ପୁଚ୍ଛି ସିନା କରିବ ଏ କାର୍ଯ୍ୟ ।

ଗୃହର କର୍ତ୍ତା ହୋଇ ନ ପୁଚ୍ଛି କୁଟୁମ୍ବଙ୍କୁ

ଦେବା ଧର୍ମ ପୁଣ୍ୟ କେବେ ନ ମିଳିବ ତାକୁ ।

ମଲାବେଳେ ସଙ୍ଗତରେ କେହୁ ଯେ ନ ଯାଇ

ଯେତେ ଅର୍ଜିଲେ କୁଟୁମ୍ବ ତୋତେ ଦ୍ୟନ୍ତି ଖାଇ ।

ଯେ ଯେତେ କରଇ ଧର୍ମ ତେତେ ସଙ୍ଗେ ନିଏ

ଏ କଥାଟି ଧ୍ରୁବ ଜାଣ କହିଲୁ ହୋ ରାୟେ ।

ଯେତେ ଅର୍ଜିଘରେ ଆଣି ରଖେ ଗୃହକର୍ତ୍ତା

ତାହାକୁ କୁଟୁମ୍ବଯାକ କରନ୍ତି ଅହନ୍ତା ।

ବୋଲନ୍ତି ଧନେ କରୁଛ କିମ୍ପା ହରବର

କୁଟୁମ୍ବଯାକ ଯୋଗୀକି ହୋଇଲେ ତୋହର ।

ଏଡ଼େ ହେଁ ପଣ ଦେଇଛି ତୋତେ କେଉଁ ଲୋକ

ପଦାରୁ ତ ତେବେ ଦେଇଥାନ୍ତୁ ଧନଯାକ ।

ଏ ରୂପେ ତ ଘରଣୀ କହନ୍ତି ନାସ୍ତିବାଣୀ

ବୋଲନ୍ତି ଜ୍ଞାନୀଲୋକେ ଲୋ ଶୁଣ ଚଣ୍ତାଳୁଣୀ ।

ତୋହର ବାପଘରୁତ ଆଣିନାହୁଁ ଦ୍ରବ୍ୟ

ମୋହର ଅରଜିବାର ଅଟେ ସିନା ସର୍ବ ।

ମଲାବେଳକୁ ଯିବ କି ଏହା ସଙ୍ଗେ ଘେନି

ଏ ଘେନି ଯେ ଧର୍ମ କରୁଥାନ୍ତୁ ସାଧୁପ୍ରାଣୀ ।

ନଗର ଯେ ପୁର ଦ୍ୱାର ଭାର୍ଯ୍ୟା ଧନ ସୁତେ

ଏମାନେ କେହି ଜାଣ ନ ଯାଆନ୍ତି ସଙ୍ଗତେ ।

ଆସିଲା ବେଳରେ ଏକ ଗଲାବେଳେ ଏକ

ମୃତ୍ୟୁକାଳରେ ନେଲେଣି ଧନ କେତେ ଲୋକ ।

ଜୀବନ ଥିବାଯାକ ଯେ ପତ୍ନୀ ବୋଲେ ଥାନ୍ତି

ଗଲାବେଳେ ସବୁ ଛାଡ଼ି ମୃତ ହୋଇଯାନ୍ତି ।

ତୁହି ମହାଦାତ ଏହି ସଂସାରରେ ଅଟୁ

ଆମ୍ଭଙ୍କୁ ବୋଲି ଏ ରୂପେ କହି ପରା ଜଟୁ ।

କେତେ ଦୁଃଖେ ଚାଲି ଆସିଅଛି ଲକ୍ଷଯୁଣ

ସୁବେଦୀ ବ୍ରାହ୍ମଣ ବୋଲି ମୋତେ କି ନ ଜାଣ ।

ଧରି କୁଶପାଣି ବସିଅଛୁ ଦାନ ଦେଇ

ତୁ ଦାନ ନ ଦେଲେ ଆମ୍ଭେ ନେବୁ କି ବଳାଇ ।

ବଳି ବୋଇଲା ବିପ୍ର ହେ ନୋହିବ ବିରସ

ମାଗିବଟି ତୁମ୍ଭେ ଯାହା ଦେବି ମୁଁ ଅବଶ୍ୟ ।

ମାଗିବ ଯେତେକ ଧନ ଦେବି ନିଅ ବହି

ଏ କଥାରେ ଲୋଭ ଜାଣ କିଛି ମୋର ନାହିଁ ।

ବାମନ ବୋଇଲେ ଶୁଣ ଆହେ ବଳିରାଜା

ଦେବା ମନ ଥିଲେ ମୋତେ କର ପାଦପୂଜା ।

ମାଗିବା କଥା ପ୍ରାଣୀକି କେଡ଼େ ବଡ଼ ଲାଜ

ଏ ସଂସାର ଦେବାଲୋକେ ଜାଣ ଚତୁର୍ଭୁଜ ।

ବିଷ୍ଣୁ ତୁଲ୍ୟ ଲୋକେ କରୁଥାନ୍ତି ଦାନପୁଣ୍ୟ

ପାପୀ ପାଷାଣ୍ତ ସାଇତି ରଖେ ଯେହୁ ଧନ ।

ତଥାପି ମାଗିବା ଲୋକେ କେତେ ପରି ପାଞ୍ଚେ

ଦେବ କି ନ ଦେବ ବୋଲି ଓହୋରିଣ ଘୁଞ୍ଚେ ।

ମାଗିବା କଥା ଗୋଟିକେ ସଙ୍କୋଚ ନୁହେଁ କି

ଚିହ୍ନିଣ ଏକା ଏକଥା ପାରନ୍ତି ବିବେକୀ ।

ବିଷ୍ଣୁର ଏ ବାକ୍ୟ ଶୁଣି ହସି ବଳିରାଜ

ବୋଇଲା ମୁଁ ସତ୍ୟକଲି ମାଗ ଆହେ ଦ୍ୱିଜ ।

ଧର ହେ କୁଶ ପାଣି ମୁଁ ଦେବି ଦାନ ଟେକି

ଏ ରୂପେ ବୋଲି ହସ୍ତକୁ ଧରି ବଳି ଝିଙ୍କି ।

ଶ୍ରୀପଦ୍ମକର ଗୋଟିକ ଧରି ବିସ୍ତାରିଲା

ମାଗ ମାଗ ବେଗେ ଦାନ ବୋଲି ଡାକ ଦେଲା ।

ବଳିର ଏକଥା ଦେଖି ହସି ଭଗବାନ

ଦିଗପାଳଙ୍କୁ ଯେ ସାକ୍ଷୀ କରନ୍ତି ଚାହିଁଣ ।

ଚନ୍ଦ୍ରସୂର୍ଯ୍ୟଙ୍କୁ ଚାହିଁଲେ ପୁଣି ପଦ୍ମଆଖି

ବୋଇଲେ ବଳି ଦେଉଛି ମୋତେ ପାଣିଟେକି ।

ଏଥିରେ ମୋହର ଜାଣ କିଛି ନାହିଁ ଦୋଷ

ଭୋକିଲା ବ୍ୟାଘ୍ରକୁ ଯାଚୁଅଛି ବଳେ ଗ୍ରାସ ।

ପ୍ରତିହାରୀ ଲୋକଙ୍କର ଲୋକ ବଳିଆର

ବ୍ରହ୍ମାଣ୍ତ ମାଗି ନେବାକୁ ସାହସ ତାହାରି ।

ଦାତାର ମନ ସିନା କେତେ ପାଞ୍ଚିଦିଏ

ଏଥକୁ ମୋ ଦୋଷ ନାହିଁ ଶୁଣଟି ସଭିଏଁ ।

ବଳିରାଜା ବୋଲେ କେତେ କରୁଛ ହେ ସାକ୍ଷୀ

ଦେଉଛି ପାରିବ ଯେତେ ଧନ ନିଅ ଟେକି ।

ତୁମ୍ଭେ ନ ପାରିଲେ ବେଗେ ବୋଝିଆ କରାଅ

ଦେବି ତିନିଦିନ ଯେତେ ପାରିବ ହୋ ନିଅ ।

ବାମନ ବୋଇଲେ ତେବେ ଧର ତମ୍ବାପାତ୍ରୀ

ଆମ୍ଭେତ ବ୍ରାହ୍ମଣ ଅଟୁ ଯଜୁର୍ବେଦ ଗୋତ୍ରୀ ।

ଶୁଣି ବଳିରାଜା ଧଇଲାକ କୁଶପାଣି

ବାମନହସ୍ତରେ ଟେକି ଦେଲା ବେଗେ ଆଣି ।

ତଳ ହସ୍ତରେ ବାମନ ଧରି କୁଶଜଳ

ବୋଇଲା ହୋ ଭୂମିଦାନ ଦିଅ ମହୀପାଳ ।

ସଂକଳ୍ପ କରିଣ ଦିଅ ତିନିପାଦ ଭୂମି

ଲୋଭେ ମାଗିଲେ ବୋଲିବେ ଲୋଭୀ ଅନ୍ତର୍ଯ୍ୟାମୀ ।

ଶୁଣିଣ ସେ ବଳିରାଜା ସିଞ୍ଚାଡ଼ିଲା କର

ବୋଲେ ମାଗିଲୁ ଏ ଛାର କଥା ବିପ୍ରବର ।

ପାଦ ତୋର ଦିଶେ ଲମ୍ବ ଚଉକେ ଚଉକେ

ପହଣ୍ତି ଦେଖିଣ ହସୁଅଛନ୍ତି ଯେ ଲୋକେ ।

ମୋହର ପରା ଦାନୀକି ତୋହପରା ଦ୍ୱିଜ

କି ବୋଲିବି ତୋତେ ମୋତେ ଲାଗୁଅଛି ଲାଜ ।

ବାମନ ବୋଲେ ଏତିକି ଦିଅ ବଳିରାୟେ

ଶଷ୍ୟକୁ ଚାହିଁ ସିନା ଯେ ଦାତା ଦାନ ଦିଏ ।

ସନ୍ତୋଷରେ ଦାନ ଦେବ ସନ୍ତୋଷରେ ନେବ

ତେବେ ସେ ଜନ ଯାଇଣ ବୈକୁଣ୍ଠେ ବସିବ ।

ଶୁଣିଣ ହସଇ ପାତ୍ରୀ ଧରି ବଳି ହସ୍ତେ

ବୋଲଇ କରିବୁ ତିନିପାଦେ କୃଷି କେତେ ।

ତିନିପାଦ ଭୂମି ମୋତେ ମାଗିଲୁ ଯେ ତୁହି

ବୃତ୍ତି କେତେ ଗୃହ କେତେ କରିବୁ ତୁ କାହିଁ ।

ବାମନ ବୋଲେ ତୋର ନ ଦେବା ବୁଦ୍ଧିପାଞ୍ଚି

ଆମ୍ଭେ ମାଗିବା କଥା ତ କଲୁ ଅବା ସଞ୍ଚି ।

ସୁଖେ ଥାଅ ରାଜା ଆମ୍ଭେ ଯାଉଅଛୁ ଚଳି

ତୋର ସତ୍ୟଦାନି କଲୁଣି ତୁ ନିଶ୍ଚେ ବଳି ।

ଲୋଭ ଦେଖାଇ କହୁଛି ମୋତେ କେତେ ତୁହି

ଲୋଭୀ ଲୋକଙ୍କୁ ଯେ ଧର୍ମ ପ୍ରାପତ କି ହୋଇ ।

ଲୋଭରୁ ସେ ପାପ ଯେତେ ପାପୁଁ ହୋଏ ମୃତ୍ୟୁ

ଏକଥା ପୁରାଣେ ଲେଖିଛନ୍ତି କୁଶକେତୁ ।

ବଳି ବୋଇଲା ମୁଁ ତେବେ ଦେଲି ତିନିପାଦ

ତୁମ୍ଭ କର୍ମେ ଯାହା ଦେଇଅଛନ୍ତି ଗୋବିନ୍ଦ ।

ସେ କଥା ଆନ କରି ନ ପାରେ କେହୁ ଜାଣ

ତୁମ୍ଭ ଭାଗ୍ୟରେ ଏତିକି ଫଳିଛି ପ୍ରମାଣ ।

ଶୁଣ ଆହେ ମୃରାସୁର ସୁବିଜ୍ଞ ଯେ କହେ

ତିନିପାଦେ ବୋଲି ଜାଣିଥିଲା ବଳିରାୟେ ।

କହୁଁ କହୁଁ ବାମନା ଯେ ଘୋଟିଲେ ତ୍ରିପୁର

ବାମପାଦେ ଦେଲେ ବ୍ୟାପୀ ପୃଥ୍ୱୀ ଚରାଚର ।

ଦକ୍ଷିଣ ପାଦକୁ ବିପ୍ର ମାଗିଲେକ ଭୂମି

ତାହା ଦେଖି ବଳିରାଜା ଚିତ୍ତ ଗଲା ଭ୍ରମି ।

ବୋଇଲା ସେ ସ୍ୱର୍ଗ ଅଛି ନିଅ ତାକୁ ପୁଣି

ତୁ ଏଡ଼େ ବିପ୍ର ବୋଲି ନଥିଲି ମୁହିଁ ଜାଣି ।

ଶୁଣିଣ ସେ ମହାପ୍ରଭୁ ସ୍ୱର୍ଗେ ଗଲେ ଘୋଟି

ବୁଝ ଆହେ ମୃରାସୁର ଏ ରୂପେ ବିପ୍ରଟି ।

ଆବର ପାଦକୁ ଭୂମି ମାଗନ୍ତେ ଶ୍ରୀବତ୍ସି

ଦେଖି ବଳିରାଜାକୁ ନ ସ୍ଫୁରେ ବୁଦ୍ଧି କିଛି ।

ମନରେ ପାଞ୍ଚେ ରାଜା ଏ ବିପ୍ର ଅଟେ କେହୁ

ଚନ୍ଦ୍ରକୁ ରାହୁ ପରାୟେ ଘୋଟେ କହୁଁ କହୁଁ ।

କିବା ଏହୁ ବ୍ରହ୍ମା ଅଟେ ରୁଦ୍ର ବାସୁଦେବ

ନୋହିଲେ ଏଡ଼େ ମାୟାକେ କରିପାରେ ସର୍ବ ।

ଏ ଯେବେ ଶ୍ରୀବିଷ୍ଣୁ ହେବ ମୋର ବଡ଼ଭାଗ୍ୟ

ଦାନବେଦା କଥା ରହିଥିବ ଚାରିଯୁଗ ।

ବିଷ୍ଣୁ ନୋହିଥିଲେ ଏହା ମାଗନ୍ତା କେ ଆସି

ବେନିପାଦେ ବେନି ଭୁବନକୁ ଗଲା ଗ୍ରାସି ।

ଭଲା ମୁଁ ଦେଖି ପରୀକ୍ଷା କରି ବୁଝିବଇଁ

ଆଉ ଗୋଟିଏ ପାଦ ଏ କାହିଁଅଛି ଥୋଇ ।

ସେ ପାଦ ଦେଖିଲେ ଜାଣିବି ମୁଁ ବିଷ୍ଣୁ ବୋଲି

ନୋହିଲେ ବିପ୍ରକୁ ଖେଦି ଦେବି ଏଥୁ ପେଲି ।

ଏ ରୂପେ ପାଞ୍ଚି ପୁଚ୍ଛିଲା ବଳି ବ୍ରାହ୍ମଣକୁ

କାହିଁ ତୋର ପାଦ ଆଉ ଦେଖାଅ ଆମ୍ଭଙ୍କୁ ।

ଶୁଣିଣ ସେ ତ୍ରିବିକ୍ରମ ହେଲେ ଭଗବାନ

ନାଭିରୁ ପାଦେକ କାଢ଼ି ଦେଲେ ଜନାର୍ଦ୍ଦନ ।

ସୂର୍ଯ୍ୟ ଉଦୟ ପରାୟ ଦିଶେ ପାଦ ଜ୍ୟୋତି

ବିଜୁଳିର ପ୍ରଭାପ୍ରାୟ ଦିଶେ ନଖକାନ୍ତି ।

ରକ୍ତପଦ୍ମ ପ୍ରାୟ ପାଦତଳିପା ଯେ ଦିଶେ

ସୁବର୍ଣ୍ଣ ଚମ୍ପା ପରାୟ ଅଙ୍ଗୁଳି ପ୍ରକାଶେ ।

ତେତିଶକୋଟି ଦେବେ ସେ ପାଦେଛନ୍ତି ଲାଗି

ବିପ୍ରରୂପେ ବିଷ୍ଣୁ ଅଛନ୍ତି ତ ଦାନ ମାଗି ।

ସବୁ ଲୋକଙ୍କର ଶ୍ରେଷ୍ଠ ଅଟେ ଯେହ୍ନେ ଗୁରୁ

ପଶୁଙ୍କ ମଧ୍ୟେ ଯେ ରୂପ ଶ୍ରେଷ୍ଠ ଅଟେ ଗୋରୁ ।

ଯାବତ ଦେବ ଦିଶନ୍ତି ବିପ୍ରଙ୍କର ହୃଦେ

ବିପ୍ରଙ୍କ ହୃଦରେ ହରି ସର୍ବକାଳେ ଉଦେ ।

ବିପ୍ରକୁଳରେ ଜନ୍ମନ୍ତି ତେଣୁ ଭଗବାନ

ନାଭିରୁ ପାଦେକ କାଢ଼ିଦେଲେ ଜନାର୍ଦ୍ଦନ ।

ସେ ଅଭୟ ପଦ୍ମପାଦ ଦେଖି ବଳି ନେତ୍ରେ

ସାକ୍ଷାତରେ ବିଷ୍ଣୁ ବୋଲି ଚିହ୍ନିତାର ଗାତ୍ରେ ।

ପାଦ କାଢ଼ି ହରି ବୋଲୁଛନ୍ତି ଦିଅ ଦାନ

ନ ଦେଲେ ତୋହର ହାନି ହେବଟି ରାଜନ ।

ଦେବାକୁ ଯେ ତିନିପାଦ କରିଛୁ ତୁ ସତ୍ୟ

ବେନିପାଦ ଭୂମି ଦେଇ ହେଲୁ ତୁ ନିସତ ।

ଦିଅ ବେଗେ ଦାନ ଆମ୍ଭେ ଯିବୁ ଶୀଘ୍ର ଚଳି

କାହିଁକି ହେଳା କରୁଛୁ ଆହେ ନୃପବଳି ।

ଶୁଣି ବଳି ମହାରାଜା ହୋଇଲା ସ୍ଥକିତ

ମନରେ ପାଞ୍ଚଇ ଏକା ଅଛି ମୋର ମାଥ ।

ଏତେ ପାଞ୍ଚି ପଦ୍ମାସନେ ବସି ଅଧୋମୁଖେ

ବସାଇଣ ପୁତ୍ର ପତ୍ନୀ ନିଜ ଜାନୁପାଖେ ।

ବିଷ୍ଣୁଙ୍କୁ ବୋଲେ ମୋ ମୁଣ୍ତେ ଦିଅ ଏବେ ପାଦ

ପୃଥିବୀ ନାହିଁ ତ ଆଉ ଶୁଣ ହେ ଗୋବିନ୍ଦ ।

ଆପଣ ପଦ୍ମପାଦକୁ ମଥା ମୋର ଅଛି

ଲଦ ବେଗେ ସେ ପାଦକୁ ତରିବି ଶ୍ରୀବତ୍ସି ।

ଶୁଣିଣ ଠାକୁର ତାହା ହୋଇଲେ ସନ୍ତୋଷ

ରାଜା ମନକଥା ଜାଣି ପ୍ରଭୁ ହୃଷୀକେଶ ।

ବୋଇଲେ ସଂସାରେ ଏଡ଼େ ଭକ୍ତ ନ ମିଳଇ

କୁଟୁମ୍ବଯାକ ମୁର୍ଚ୍ଛିଣ ଦାନ ମୋତେ ଦେଇ ।

ଆପଣାର ମଥା ପୁଣି ଦେଲା ଦାନ କରି

ୟାକୁ ନାଶିଲେ ଯେ ଧର୍ମ ବୁଡ଼ିବ ମୋହରି ।

ରଖିବା ପାତାଳେ ନେଇ ସୁଖଭୋଗ ଦେଇ

ଚନ୍ଦ୍ର ସୂର୍ଯ୍ୟ ଥିବାଯାଏ ଥିବ ଦେହ ବହି ।

ଏତେକ ପାଞ୍ଚି ଗୋବିନ୍ଦ ଲଦି ପାଦଗୋଟି

ଚାପିଲେ ସେ ପାତାଳକୁ ଶିରେ ତାର ଉଠି ।

ରଖିଲେ ବୈକୁଣ୍ଠୁରେ ତାକୁ ଜଗନ୍ନାଥ

ଚଳିଲା ସେ ବଳିରାଜା ସୁତଳ ପର୍ଯ୍ୟନ୍ତ ।

ସତ୍ୟରେ ଯେହୁ ରହିଛି ଧର୍ମ ତହିଁ ଅଛି

ଧର୍ମରେ ଯେହୁ ରହିଛି ଦୟା ତହିଁ ଅଛି ।

ଦୟାରେ ଯେହୁ ରହିଛି ଜ୍ଞାନ ତହିଁ ଅଛି

ଜ୍ଞାନବନ୍ତ ଜନ ଘରେ ଥାନ୍ତି କମଳାକ୍ଷୀ ।

କମଳା ଯହିଁ ଥାଆନ୍ତି ବିଷ୍ଣୁ ତହିଁ ଥାନ୍ତି

ବିଷ୍ଣୁଅଂଶ ଥିବା ଲୋକଠାରେ ବଡ଼ ଭକ୍ତି ।

ପଦାର୍ଥ ଥିବା ଲୋକଟି ଦରିଦ୍ର ଯେ ଅଟେ

ଦେବତା ବ୍ରାହ୍ମଣଙ୍କୁ ନ ସେବେ ପରିପାଟେ ।

ଶୁଣ ମୃରାସୁର ବିଷ୍ଣୁଙ୍କର ଏଡ଼େ ପ୍ରଜ୍ଞା

ସବୁଲୋକଙ୍କ ମୋକ୍ଷଟି ଲେଖି ପ୍ରଭୁ ଆଜ୍ଞା ।

ଛାର ଏ ବିପ୍ର ବୋଲ ନ ଘେନ ମନେ ତୁହି

ବାର ଆଙ୍ଗୁଳିରେ ଜନ୍ମ ଘୋଟିଲେକ ମହୀ ।

ବଳିର କୁଟୁମ୍ବଯାକ ଚାପି ପାତାଳରେ

ସେ ପୁଣି ନାଶ ନୋହିଣ ରହେ ବୈକୁଣ୍ଠରେ ।

ଏ ରୂପେ ବଶିଷ୍ଠ ଜାଣ ଗ୍ରନ୍ଥ ପଢ଼ୁଥିଲେ

ବିଷ୍ଣୁ ଦଶ ଅବତାର ମହିମା କହିଲେ ।

ଏଣୁ ସେ ବ୍ରାହ୍ମଣଙ୍କୁ ନ କର ନିନ୍ଦା ତୁହି

ବ୍ରାହ୍ମଣଘରେ ଜନ୍ମନ୍ତି ସିନା ଭାବଗ୍ରାହୀ ।

କୃଷ୍ଣବଲ୍ଲଭ ରାଜା ସୁବେଦୀ ବିପ୍ରବର

ତାହାଙ୍କ ଘରେ ନୃସିଂହ ହେଲେ ଅବତାର ।

ତୁ ତାଙ୍କୁ ନ ଜାଣି ମଣୁଅଛୁ ବିପ୍ରପରି

ଶ୍ରୀ ବିଦ୍ୟାଗୁରୁ ହୋଇ ତୋ ପୁତ୍ର ଗଲେ ମରି ।

ପୁଣି ହିଁ ପେଷିଲୁ ସୈନ୍ୟଯାକ ପୁଞ୍ଜା ପୁଞ୍ଜା

ଗୋଟିଏ ବାହୁଡ଼ି ତୋର ନ ଆସିଲେ ରାଜା ।

ଏ ରୂପେ କହନ୍ତି ମନ୍ତ୍ରୀ ବିଷ୍ଣୁ ଅବତାର

ଶୁଣି ହସ ହସ ହୋଇ ବୀର ମୃରାସୁର

ବୋଇଲେ ମନ୍ତ୍ରୀ କହିବା ଶୁଣ କିଛି ତୋତେ

ତୁ ଯେତେକ ଉପଲକ୍ଷ୍ୟ ଦେଲୁ ଆଣି ମୋତେ ।

ମାନବ ବିଷ୍ଣୁ ଅଟଇ ସିନା ଜାଣ ଏହୁ

ସହସ୍ର ପାଦ ବିଷ୍ଣୁକେ ଦେଖିଛି ତା କହୁ ।

ତେବେ କହିଲେ ସଂସାରେ ତାକୁ ମାନିବଇଁ

ଦେଖିଲେ ମୋକ୍ଷ କରିବେ ପ୍ରଭୁ ଭାବଗ୍ରାହୀ ।

ମାନବ ବିଷ୍ଣୁ ଏ ସିନା ବଲ୍ଲଭର ସୁତେ

ତେଣୁ ଏହାକୁ ମୁହିଁ ନ ମାନେ କଦାଚିତେ ।

କୃଷ୍ଣବଲ୍ଲଭ ବୋଲି ସେ ଅଟେ ବଡ଼ଲୋକ

ଭିକ୍ଷା ମାଗି ଗ୍ରାମେ ଗ୍ରାମେ ବୁଲେ ପୃଥ୍ୱୀଯାକ ।

ପଲ୍ଲୀ ଖଣ୍ତେ ଥିଲାକୁ ସେ ଅଛି ସିନା ରହି

ନୋହିଲେ ପଳାନ୍ତାଣି ସେ ବାଳୁତ ଯେ ହୋଇ ।

ନୃସିଂହ ପୁତ୍ର ତାହାର ପାଷାଣ୍ତ ଯେ ଅଟେ

ବୁଡ଼ଇ ସେ ପରଘର ଚଳେ ନଟକୂଟେ ।

ବ୍ରାହ୍ମଣ ସଂସାରେ ସେ ଯେ ଅଟେ ବଡ଼ ଦୋଷୀ

ପରକୁ ସେ ହିଂସା କରି ମରେ ଅହର୍ନିଶି ।

ଦେଖିଲେ ପରର ଶିରୀ ନ ପାରନ୍ତି ସହି

ବୁଝିବ କାଲି ଗଲେ କି କରିବଇଁ ମୁହିଁ ।

ଏ ରୂପେ ବୋଲିଣ ରାଜା ଗର୍ଜି ଘନ ଘନ

ଶୁଣିଣ ସ୍ତବଧେ ରହିଛନ୍ତି ସଭାଜନେ ।

ହେ ବୁଧଜନେ ପୁରାଣ ଶୁଣ ଏକମନେ

ଦେହାନ୍ତେ ବସିବ ଯାଇ ବୈକୁଣ୍ଠ ଭୁବନେ ।

ପଦ ପଦକେ ଅମୃତ ଅଟେ ଏହୁ ବାଣୀ

ସନ୍ତୋଷ ଶୁଣିଣ ଦାନ ଦେବେ ସାଧୁ ବାଣୀ ।

ଇହଜନ୍ମେ ଯଶ ଶିରୀ ବର୍ଦ୍ଧିତ ହୋଇବ

ପୀତାମ୍ବରକୁ ରଖିବେ ପ୍ରଭୁ ଶେଷଦେବ ।

 

      

 

 

ଦାରୁଣ ସେନାର ଯୁଦ୍ଧ ଓ ମୃତ୍ୟୁ

 

ବଦୟନ୍ତି ବେଦବ୍ରହ୍ମା ଶୁଣ ହେ ନାରଦ

କମ୍ପିଲେ ମୁରର କୋପ ଦେଖି ଦେବବୃନ୍ଦ ।

ରାଜା କୋପଦେଖି ଦାରୁଣ ଯେ ଭାଇ ତାର

ସଭାରୁ ସେ କ୍ରୋଧ ହୋଇ ଉଠିଲା ତତ୍ପର ।

ବୋଇଲା ମୋର କଥା ନ ଜାଣୁ କିରେ ଭାଇ

ମୋତେ ନ ପେଷି ପେଷୁଛୁ ସୈନ୍ୟ କାହିଁପାଇଁ ।

ଆଜ ମୁହିଁ ଗଲେ ଶତ୍ରୁ ନାଶିବ ତୋ ପୁଣ

ଏଥକୁ କେତେ ଚିନ୍ତା ତୁ କରୁ ନୃପରାଣ ।

ଦାରୁଣ ଭାଇର କ୍ରୋଧ ଦେଖି ମୃରାସୁର

ବୋଲେ ମୁଁ ଛାଡ଼ି ପାରିବି ତୋତେ କେହ୍ନେ ବୀର ।

କରିଣ ଯୁଦ୍ଧ ଆଉ ନ ଯିବା କେଭେ ରଣେ

ଆମ୍ଭର ନ ଗଲେ କି ସେ ଆସେ ବଳପଣେ।

ମରନ୍ତୁ ପଛକେ ପୁତ୍ର ମରନ୍ତୁ ଯେ ସୈନ୍ୟ

ତୁ ଗଲେ ଯୁଦ୍ଧ କରି ନ ସରିବ ମୋ ଦିନ ।

ଦାରୁଣ ବୋଲେ ଭାଇ ତୁ ସର୍ବ ଜଗଜ୍ଜିତା

ମୋ ପରା କ୍ଷତ୍ରି ଥାଉଁ ତୁ କରୁଛୁ କି ଚିନ୍ତା ।

ଗଲେ ମାରିବି ବ୍ରାହ୍ମାଣଯାକ ବଦ୍ରିକାରୁ

ସ୍ୱାହାପଢ଼ା ମନ୍ତ୍ର କାଣ୍ତି ସରିବ ଏଠାରୁ ।

ମୃରାସୁର ବୋଇଲେ ରେ ଶୁଣିମା ଦାରୁଣ

ବ୍ୟର୍ଥେ ଅକାରଣେ ଯାଇ ନ ମାର ବ୍ରାହ୍ମଣ ।

ବଲ୍ଲଭ ପୁତ୍ରଙ୍କୁ ଏକା ପାରୁ ଯେବେ ମାରି

ଅମର ହୋଇଣ ଆମ୍ଭେ ଥିବା ଦେହ ଧରି ।

ଦାରୁଣ ବୋଲେ ଭାଇ ଏ କଥା ହେଲେସତ

ଯୁଦ୍ଧରେ ପଶିଲେ ଗୁରୁ ବିପ୍ର କରି ହତ ।

ବିପ୍ରଙ୍କ ଛବି ଦେଖିଣ କମ୍ପୁଛି ମୋ ଦେହ

ମୁଁ ଯାଇଁ ଆସିଲାଯାଏ ସୁଖେ ନଗ୍ରେ ଥାଅ ।

ଗଲେଟି ସୈନ୍ୟ ସବୁଙ୍କୁ ସଙ୍ଗେ ଯିବି ଘେନି

ବଲ୍ଲଭପୁତ୍ରକୁ ପେଷିଦେବି ତାକୁ ସଞ୍ଜିବନୀ ।

ଅବଶ୍ୟ ମାରି କରିବି ତାଙ୍କୁ ପୋଡ଼ାବଳି

କଟକଯାକ ତା ଧ୍ୱଂସି ଦେବି ତାକୁ ଗିଳି ।

ଏରୂପେ କହି ସେ ଦୈତ୍ୟ ହେଲା ଆଗୁସାର

ସୈନ୍ୟ ଘେନି ଗଲା ସେହି ବଦରିକା ପୁର ।

କହିବା ସେନାପତିଙ୍କ ନାମ ଶୁଣ ଥୋକେ

ପ୍ରଚଣ୍ତ ଚଣ୍ତ ଏ ନାମ ଅଟେ ଗ୍ରନ୍ଥ ବାକ୍ୟେ ।

ବିକୁଷି ଅର୍ଘାସୁର ଯେ ଶଙ୍ଖାସୁର ଜେନା

କୁମୁଣ୍ତା ତ୍ରିମୁଣ୍ତା ଶରମୁଣ୍ତା ଶୁରସେନା ।

ବ୍ୟାଘ୍ରମୁଖା ଅଶ୍ୱମୂଣ୍ତା ସିଂହମୁଖା ତୁଲେ

ମଞ୍ଚାରି ଭଲ୍ଲୁକମୁଖା ପେଚାମୁଖା ଗଲେ ।

ରୋଡଙ୍ଗା ଡେଙ୍ଗା ଆବର ଦୈତ୍ୟ ମହୀଗରା

ଝମ୍ପାସୁର ପମ୍ପାସୁର ନରକା ଯେ ବୀରା ।

ଏହାଙ୍କ ମୂଳେ ଯେ ଶତ ଅର୍ବୁଦେକ ବଳା

ଯୁଦ୍ଧେ ଗଲା ଘେନି ଯେ ଦାରୁଣ ଅଚାର୍ଗଳା ।

ବାଟରେ ଚାଲନ୍ତେ ସୈନ୍ୟ ନ ଯାଇ କଳନା

ଅଶ୍ୱ ଚଢ଼ି ଗମଇ ଯେ ଦାରୁଣ ଦର୍ଶନ ।

ବଜାଇ ସେ ନାନା ବାଦ୍ୟ ଘେନି ଦୈତ୍ୟ ବଳ

ପ୍ରଳୟ କାଳରେ ଯେହ୍ନେ ସମୂଦ୍ର ଉଲ୍ଲୋଳ ।

ଧର ଧର ମାର ମାର ଶୁଭେ ଉଚ୍ଚ ବୋବି

ଦୈତ୍ୟଙ୍କର ପାଦଘାତେ କମ୍ପେ ପୃଥ୍ୱୀଦେବୀ ।

ସବୁରି କରରେ ଧନୁ ଶର ବାଦ୍ୟମାନ

ଶାବେଳି ଗୁରୁଜ ଗଦା ଲାଙ୍କିଲା କୃପାଣ ।

ପରିଘ ଖଣ୍ତା ଦୁଆଦ ଛୁରୀ କରବାଳ

ଭୂଷଣ ନାରାଚ କାଣ୍ତ ଶକ୍ତି ଅଚାର୍ଗଳ ।

ଚାଲନ୍ତେ ଦଇତ୍ୟ ତିନି ଯୋଜନ ଯେ ମାଡ଼ି

ଧାମନ୍ତି କେ ନାଚି ନାଚି କରି ଘୋରରଡ଼ି ।

ଘଣ୍ଟ ଘଣ୍ଟା ଘାଗୁଡ଼ି ଯେ ବାଜେ ଝୁମୁ ଝୁମୁ

ଦମାଲୁ ଦୁଲୁ ଦୁଲୁ ଘୁମୁରା ଘୁମୁ ଘୁମୁ ।

ଟମକ ନିଶାଣ ଢୋଲ ବାଜେ ଘଡ଼ି ଘଡ଼ି

ବଇଁଶୀ ବେଣୁ ଯେ ବୀଣା ବାଜେ ଯୋଡ଼ି ଯୋଡ଼ି ।

ଚାଲନ୍ତି ଦଇତ୍ୟବଳ ଯୁଦ୍ଧେ ଦଣ୍ତ ବାହି

ମିଳିଲେ ଆନନ୍ଦବନେ କୁତୁହଳେ ଯାଇ ।

ପଡ଼ିଲେ ତାଡୁଆ ତମ୍ବୁ ବାନ୍ଧି ତୋଟା ମାଡ଼ି

ଉଛୁଳି ଆନନ୍ଦବନ ଶୁଭେ ଘିଡ଼ି ଘିଡ଼ି ।

ଏଥୁ ଉତ୍ତାରେ ଯେ ଶୁଣ ରାତି ଯାନ୍ତେ ପାହି

ଜାଣିଣ ଡାକିଲେ ଅନ୍ତର୍ଯ୍ୟାମୀ ଭାଗଗ୍ରାହୀ ।

ଦାରୁଣ ଆସିଲା ବୋଲି ଜାଣି ମନବେଗେ

ସାରି ନିତ୍ୟକର୍ମ ଚଳିଗଲେ ନରସିଂହେ ।

ଶେଷଦେବଙ୍କୁ ଘେନିଣ ଗଲେ ତୋଟାଦ୍ୱାରେ

ସୁଜାଣ ମହାମନ୍ତ୍ରୀ ଯେ ଅଛି ସଙ୍ଗତରେ ।

ଆଗହୁଁ ସଜ ହୋଇଣ କର୍ଣ୍ଣାଟେଶ ରାଜା

ନୃସିଂହଙ୍କ ବାମପାଶେ ଚଳେ ବାଇ ବାଜା ।

ଦକ୍ଷିଣ ଭାବରେ ଚାଲେ ପକ୍ଷୀ ମହାବଳୀ

ନୃସିଂହ ଆଗରେ ନାଚି ଯାଏ ଢଳି ଢଳି ।

ଚାଲନ୍ତି ଯେ ଆଗ ପଛେ ଶ୍ରୀନୃସିଂହଗଣ

କହିବା ତାହାଙ୍କ ନାମ ନାରଦ ହୋ ଶୁଣ ।

ବିକଟ ନୃସିଂହ ପୁଣି ବିରାଳ ନୃସିଂହ

ଉଗ୍ର ନରସିଂହ ଆଉ ସୋହଂସ ନୃସିଂହ ।

ଭୀଷଣ ନରସିଂହ ସେ ବିହଡ଼ ନୃସିଂହ

ଭଇରବ ନରସିଂହ ବିରାହ ନୃସିଂହ ।

ସୁଘୋଷ ନରସିଂହ ଯେ ଅଜୟ ନୃସିଂହ

ବିଜୟ ନୃସିଂହ ଆଉ ଅନନ୍ତ ନୃସିଂହ ।

ଅନାଦି ନୃସିଂହ ସେ ଯେ ବେତାଳ ନୃସିଂହ

ଜାନୁ ନରସିଂହ ଯେ ସୁଚଣ୍ତ ନରସିଂହ ।

ପ୍ରଚଣ୍ତ ନରସିଂହ ଯେ ଘର୍ଘର ନୃସିଂହ

ଡହ ଡହ ନୃସିଂହ ଟହ ଟହ ନୃସିଂହ ।

ଏ ବିଧି ନୃସିଂହଗଣ ଜାତ ବିଷ୍ଣୁ ଅଙ୍ଗ

ଯାନ ବାହନ ଚଢ଼ିଣ ହୋଇଛନ୍ତି ଆଗ ।

ପୟରେ ଚାଲନ୍ତି ଯେହ୍ନେ ବିଜେ କରି ହରି

ସେରୂପେ ଚାଲନ୍ତି ହରିଗଣ ଦିଗ ପୂରି ।

ଶେଷଦେବଙ୍କର କର ଧରିଣ ନୃସିଂହ

ମିଳିଲେ ଆନନ୍ଦବନ ମଧ୍ୟେ ଯାଇ ବେଗ ।

ଶ୍ରୀ ନୃସିଂହଗଣଯାକ ଧରି ବିପ୍ରମୂର୍ତ୍ତି

ଦେଖିଲେ ନରସିଂହଙ୍କର ଚାଲିବାର ଗତି ।

ପ୍ରଭୁଙ୍କ ଚାଲିବାମାର୍ଗ ଚାହିଁ ହରିଗଣେ

ମାରିବା ଦୈତ୍ୟ ବୋଲିଣ ପଶିଲେକ ରଣେ ।

ବ୍ରାହ୍ମଣରୂପ ହୋଇଣ ହସ୍ତେ ଧରି ଛତା

କଣ୍ଠରେ ରୁଦ୍ରାକ୍ଷମାଳା କନ୍ଧେ ଯଜ୍ଞସୂତା ।

ଗଡ଼ୁଆ ତମ୍ବାପାତ୍ରୀ ଯେ ହସ୍ତେ କୁଶ ବିଡ଼ି

କେ ରଣେ ଧାମଇଁ କେହୁ ମନ୍ତ୍ର ଭାଗ ପଢ଼ି ।

କେ ପଢ଼େ ଯଜୁର୍ବେଦ କେ ପଢ଼େ ସାମବେଦ

ନୃସିଂହଗଣ ପ୍ରଜ୍ଞା ଏ ଶୁଣ ହେ ନାରଦ ।

କେହୁ ଦ୍ୱିଜ ବରଣକେ ଆଚାର୍ଯ୍ୟ ବରଣ

କେ ବ୍ରହ୍ମା ବରଣ କେହୁ ଗାୟତ୍ରୀ ସ୍ମରଣ ।

କେହି ଚଣ୍ତୀ ଗୁଣେ ପଢ଼େ କେ ଅପରାଜିତା

ଯୁଦ୍ଧରେ ପଢ଼ନ୍ତି ହରିଗୁଣେ ହୋଇ ମତ୍ତା ।

ଦୈତ୍ୟକୁ ଦିଶନ୍ତି ଯଥା ସାଧାରଣ ଦ୍ୱିଜ

ଧରିଛନ୍ତି ଅସ୍ତ୍ର ଶସ୍ତ୍ର ସର୍ବେ ହୋଇ ସଜ ।

ନରସିଂହ ପ୍ରଭୁ ପାଶେ ଯାନ୍ତି ଉଭା ହୋଇ

ହସନ୍ତି ଠାକୁରେ ତାହା ଦେଖି ଶ୍ରଦ୍ଧା ବହି ।

ଶ୍ରୀନୃସିଂହ ଆଜ୍ଞା କଲେ ଶୁଣ ହରିଗଣ

ଟିକିଏ ପଛକୁ ଘୁଞ୍ଚି ତୁମ୍ଭେ ରହ ପୁଣ ।

ଦଇତ୍ୟଙ୍କୁ ଯେ ଆମ୍ଭେ ଆଗେଦେଖା ଦେବୁଯାଇ

ଅସୁର କି ବୋଲିବେ ତା ଶୁଣିବା ଆଗହିଁ ।

ଶୁଣିଣ ନୃସିଂହଗଣ ଗଲେ ଘୁଞ୍ଚି ପୁଣ

ବସିଲେ ତୋଟା ଜଗତିପରେ ନାରାୟଣ ।

ଶୁଣ ନାରଦ କହନ୍ତି ଲୋକ ପିତାମହ

ଏସନବେଳେ ଦଇତ୍ୟ ଦେଖିଲେ ନୃସିଂହ ।

ବସନ୍ତେ ନୃସିଂହ ବେନିଭାଇ ଜଗତୀରେ

ଦେଖିଣ ଦଇତ୍ୟ ଧାଇଁ ଆସିଲେ ତତ୍ପରେ ।

ବୋଇଲେ ତୁମ୍ଭେ କି କୃଷ୍ଣବଲ୍ଲଭର ବତ୍ସ

ଏଡ଼େ ପ୍ରପଞ୍ଚ ହୋଇଣ ସଂସାରେ ଜନ୍ମିଛ ।

ପୂର୍ବେ ଯେ ଥିଲେ ତୁମ୍ଭର ପିତାପିତାମହ

ସେମାନେ ପାପୀ ନୁହନ୍ତି ବହୁ ପୁଣ୍ୟ ଦେହ ।

ବୁଲିଣ ସେ ଗ୍ରାମେ ଗ୍ରାମେ ମାଗନ୍ତି ଲୋକଙ୍କୁ

ଯାଉଁଳି କନ୍ଧେ ପକାଇ ପୋଷି କୁଟୁମ୍ବକୁ ।

ହସାଇ ରସାଇ ପୁଣି ମାଗି ଘେନିଯାନ୍ତି

ଥିବାରୁ ବ୍ରାହ୍ମଣପଣ ପାଇଲେ ସଦଗତି ।

ଯେ ଯାହାର କୁଳବିଦ୍ୟା କଲେ ସିନା ତରି

ନାଶିଲେ ଯେ ବ୍ରହ୍ମବିଦ୍ୟା କ୍ଷତ୍ରିବିଦ୍ୟା କରି

ବ୍ରାହ୍ମଣ ପଣେ ଥିଲେ ତ ପାଉଥାନ୍ତି ପୂଜା

ବ୍ରାହ୍ମଣଙ୍କୁ କେଡ଼େ କରି ମନେ ଆମ୍ଭେ ରାଜା ।

ଥିବାରୁ ବଦ୍ରିକାଦେଶେ ସିନା ବିକାଉଛ

ବ୍ରାହ୍ମଣ ଲୋଚାଏ ଆଣି ଯୁଦ୍ଧେ ପୁରାଉଛ ।

କୃଷ୍ଣବଲ୍ଲଭ ବୋଲି ଯେ ଅଛି ବୁଢ଼ାକାଙ୍କ

ତୁମ୍ଭେ ଦୁହେଁ ମରନ୍ତେ ସେ ହେବ ପ୍ରାଣାନ୍ତକ ।

ଉତ୍ତର ଷୋଡ଼ଶ କର୍ମ କରିବ କେ ତାକୁ

ଏ କଥା ନ ପାଞ୍ଚି ଆସୁଅଛି ମରିବାକୁ ।

ବ୍ରାହ୍ମଣ କୁଳରେ ଜନ୍ମି ଏଡ଼େ ମୂର୍ଖ ହେଲ

ମୃରାସୁର ରାଜାକୁରେ ତୁମ୍ଭେ ନ ମାନିଲ ।

ତାର ପୁତ୍ର ସେନାପତି ନାଶ ଅନିମିତ୍ତେ

ତୁମ୍ଭର କନ୍ଧରୁ ଶିରୀ ଛାଡ଼ିଲା ନିୟତେ ।

ଦୈତ୍ୟଙ୍କର କଟୁବାକ୍ୟ ଶୁଣିଣ ନୃସିଂହ

ହସିଣ ପ୍ରଭୁ କହନ୍ତି କଥା ପରସଙ୍ଗ ।

ନୃସିଂହ ବୋଇଲେ କହୁଅଛି ତେବେ ଶୁଣ

ସାକ୍ଷାତରେ ଅଟନ୍ତି ଯେ ଦ୍ୱିଜ ନାରାୟଣ ।

ଯାହା ବୋଇଲେ ମାଗିଣ ବହନ୍ତି ଯାଉଁଳି

ଦିଅନ୍ତି ଲୋକଙ୍କୁ ବିପ୍ରେ ଘେନି ପାଦଧୂଳି ।

ବିପ୍ର ଆଶୀର୍ବାଦ ପାଇଁ ଲକ୍ଷେ ସ୍ୱର୍ଣ୍ଣ ଦେଲେ

ପଦେ କଲ୍ୟାଣକୁ ତୁଲ ନୁହଇଟି ଭଲେ ।

କୋଟିଏ ତୀର୍ଥକୁ ଗଲେ ଯେତେ ଫଳ ପାଇ

ବିପ୍ର ଆଶୀର୍ବାଦ ସମ ତାହା ନୁହେ କହି ।

ବିପ୍ରଙ୍କର ବେଦଧ୍ୱନି ଅଟେ ଆଦ୍ୟ ପାଠ

ଦଶକର୍ମେ ବେଦୀପରେ ପିନ୍ଧିଛନ୍ତି ପାଟ ।

ନବଗୁଣେ ପଇତାକୁ ମନ୍ତ୍ରି ଶୁଦ୍ଧ କରି

ମାଗନ୍ତି ଯେ ଭକ୍ତ ଭିକ୍ଷା ଦଣ୍ତ ହସ୍ତେ ଧରି ।

ଉଠନ୍ତି ବେଦୀ ଉପରୁ ଯାଉଁଳି ପକାଇ

ରୁଷାଣି ହୁଅନ୍ତି ଶଙ୍ଖ ଆଗରେ ବଜାଇ ।

ମଥାରେ ମୁକୁଟ ବାନ୍ଧି ହସ୍ତେ ଗଡ଼ୁ ଧରି

ଛତ୍ରକୁ ଟେକି ଚାଲନ୍ତି ଦାଣ୍ତେ ବିଜେ କରି ।

ସେ ମହିମା ଚାଲି ବିଷ୍ଣୁ ବିଜେ ପ୍ରାୟ ଦିଶେ

ଦେଖିବା ଲୋକମାନଙ୍କ ଦୁରିତ ବିନାଶେ ।

ତରନ୍ତି ବ୍ରାହ୍ମଣ ପାଦ ଲାଗି ଜଣେ ସର୍ବେ

ତୁମ୍ଭେ ନ ଚିହ୍ନି ନିନ୍ଦୁଛ ସିନା ମତ୍ତଗର୍ବେ ।

ବ୍ରାହ୍ମଣ ତ ବ୍ରହ୍ମାଙ୍କର ମୁଖୁ ହେଲେ ଜାତ

ଏଣୁକରି ବ୍ରାହ୍ମଣ ଯେ ସଦା ବିଷ୍ଣୁଭକ୍ତ ।

ବ୍ରାହ୍ମଣ ଲାଗି ସବୁରି ଅଛି ଜାଣ ଖ୍ୟାତି

ବ୍ରାହ୍ମଣ ଗୋସାଇକି ଯେ ମୂର୍ଖେ ନ ମାନନ୍ତି ।

ଆଦ୍ୟ ମଧ୍ୟ ପ୍ରାନ୍ତକୁ ଯେ ବିପ୍ର କର୍ତ୍ତା ପୁଣି

ସଚରାଚର ଯାକରେ ବ୍ରାହ୍ମଣ କାରେଣୀ ।

ବ୍ରାହ୍ମଣ ଅଟନ୍ତି ପୃଥ୍ୱୀବୀକି ଗଙ୍ଗାଜଳ

ତରନ୍ତି ବ୍ରାହ୍ମଣ ପାଦୋଦକେ ଶୁକ୍ରକୁଳ ।

ସବୁ ଜାତିଙ୍କ ଉପରେ ବିପ୍ର ଅଟେ ସୂର୍ଯ୍ୟ

କଲ୍ୟାଣ କଲେ ପାତକ ହୁଅଇ ଦହିର୍ଯ୍ୟ ।

ଆୟୁଷଦାତା ଅଟନ୍ତି ବିପ୍ରେ ପ୍ରାଣୀଙ୍କର

ଆଶୀର୍ବାଦ କରି ରିଷ୍ଟ ଖଣ୍ତନ୍ତି ଯେ ତାର ।

ବ୍ରାହ୍ମଣମାନଙ୍କ ଗୁଣ ଏମନ୍ତ ଅଟଇ

ବ୍ରାହ୍ମଣ ଗୋସାଇକିଟି ମୂର୍ଖ ନ ମାନଇ ।

ଆମ୍ଭେ ଯେ ଶ୍ରୀ ନାରାୟଣ ବିପ୍ରକୁଳେ ଜନ୍ମୁ

ଦୁଷ୍ଟଯାକ ନିବାରିଣ ବୈକୁଣ୍ଠକୁ ଗମୁଁ ।

ତୁମ୍ଭେ ହଲେ ଏଠାକୁ କି ଯିବ ଆଜ ବର୍ତ୍ତି

କହିଲେ ଅସୁରଗଣେ ଏହା ଜଗଜ୍ଜ୍ୟୋତି ।

ତାହା ଶୁଣି ଦୈତ୍ୟମନେ ଗର୍ଜିଣ ଉଠିଲେ

ଅସମ୍ଭାଳେ ଅସ୍ତ୍ର ଶସ୍ତ୍ର ହସ୍ତରେ ଧଇଲେ ।

ଧାଇଁ ଲେକ ଏକମୁଖ ହୋଇ ଅନ୍ତରାଳ

ଦାରୁଣ ଦୈତ୍ୟର ଯେତେଥିଲେ ସେନାବଳ ।

ନୃସିଂହକୁ ମାର ବୋଲି ଦେଲେ ଘୋରରାବ

ଶୁଣ ହେ ନାରଦ ଋଷି କହନ୍ତି ଦଇବ ।

ଦାରୁଣ ଦୈତ୍ୟର ଥିଲେ ଯେଉଁ ସେନାଗଣ

ଯୁଦ୍ଧକୁ ସେ ବାହାରିଲେ କରିବାକୁ ରଣ ।

ପ୍ରଚଣ୍ଡାର ସୈନ୍ୟ ସପ୍ତଦଶ ପଦ୍ମଯାଏ

ଚାମୁଣ୍ତାର ସୈନ୍ୟ ଚଳିଗଲେ ଅପ୍ରମେୟ ।

ନିର୍ଭତୀ ସେନାର ସୈନ୍ୟ ଏଗାର ମର୍ଭୁତ

ଚଳିଗଲା ତିନିପଦ୍ମ ଧରି ଅର୍ଘା ଦୈତ୍ୟ ।

ପମ୍ପା ଅସୁରର ସୈନ୍ୟ ବାରଲକ୍ଷ ଯୋଦ୍ଧା

ସବୁରି କରେ ମୂଷଳ ଚକ୍ର ଅସି ଗଦା ।

ତ୍ରିଶିରା ସହସ୍ରଶିରା ନବରାଶି ଦୈତ୍ୟ

ଏ ତିନି ସେନାଙ୍କ ସୈନ୍ୟ ବାଇଶି ମର୍ଭୁତ ।

ପମ୍ପା ବିରୂପା ଅରୂପା ଅସୁର ଏ ତିନି

କୋଡ଼ିଏ ମର୍ଭୂତ ସେନା ଉଠିଲେ ଏ ଘେନି ।

ଅକାଳ କାଳ ମଞ୍ଜାରିମଖା ଯେ ଅସୁର

ଏ ତିନି ସେନାର ସୈନ୍ୟ ପନ୍ଦର ସାଗର ।

କାଳିମୁଖା ବଳିମୁଖା ସିଂହମୁଖା ମୂଳେ

ନବବୃନ୍ଦ ସୈନ୍ୟ ଘେନି ଗଲେ ଏକାବେଳେ ।

ଧର୍ମକେତୁ କାଳକେତୁ ଚିତ୍ରକେତୁ ତିନି

ଚଉଦ ଖର୍ବ ସୈନ୍ୟ ଏ ଗଲେ ରଥେ ଘେନି ।

ଏହିରୂପେ ଦାରୁଣର ସେନାପତି ଯେତେ

କିଞ୍ଚିତେ ଲେଖିକି ତାହା ମୁହିଁ ପଦକେତେ ।

ଏତେ ସୈନ୍ୟ ଘେନି ମୃରାସୁର ସାନଭାଇ

ଗଲା ବଦ୍ରିକାକୁ ଯୁଦ୍ଧ କରିବାର ପାଇଁ ।

ହେ ବୁଧଜନେ ଏହା ନ ପାରେ ସଂଖ୍ୟାକରି

ମାନବଦେହ ବହି ମୁଁ ଅଛି ଅବତରି ।

କନକାବତୀଠାରୁ ବଦରିକା ଯାଏ

ପୂରି ଦିଶୁଅଛି ସୈନ୍ୟ କଳନା ନ ହୁଏ ।

ଶତେକ ତିରିଶଯୁଣ ଏଥି ମଧ୍ୟସ୍ଥଳୀ

ପୂରି ଦିଶୁଛନ୍ତି ରହି କେ ପାରେ ତା କଳି ।

ଦେଖି ବୃନ୍ଦାରକେ ତ୍ରାସ କଲେ ରହି ସ୍ୱର୍ଗେ

ପଳାଇ ପଶିଲେ ଭୟ କରି ମେରୁ ଶୃଙ୍ଗେ ।

ଦଶଦିଗପାଳେ ଏକା ଗଲେ ଯଶୋବନ୍ତୀ

ଆକୁଳେ ପୁଚ୍ଛନ୍ତି ଯାଇ କରି ମନେ ଭୀତି ।

ବୋଲନ୍ତି ଭୋ ପିତା ଏବେ ଶୁଣିମା ଗୁହାରି

ଦୈତ୍ୟଙ୍କୁ ଦେଖି ଆସିଲୁ ଆମ୍ଭେ ଭୟକରି ।

ବ୍ରହ୍ମା ବୋଇଲେ କେ ତୁମ୍ଭେ ଏଥକୁ ନ ଡର

ପ୍ରଭୁଙ୍କୁ ଆଦି ଜନ୍ମଏ ନୃସିଂହବତାର ।

ତାହାଙ୍କ ମହିମା ତୁମ୍ଭେ ପାରିବକି ଜାଣି

ସବୁଟି ନୃସିଂହମୟ ହେବେ ଚକ୍ରପାଣି ।

ନୃସିଂହଗଣ ନୃସିଂହ ପଛଭାଗେ ଛନ୍ତି

ଶ୍ରୀଆଜ୍ଞା ଫିଟିଲେ ଦେବେ ଦୈତ୍ୟଙ୍କୁ ସେ ମନ୍ଥି ।

ମୁର ଭାଇକୁ ମାରିବେ ପ୍ରଭୁ ଶେଷଦେବ

ଏ କଥା ଆଗରୁ ସଞ୍ଚି ଅଛଇ ଦଇବ ।

ଆବର ସୁଜାଣ ମନ୍ତ୍ରୀ କର୍ଣ୍ଣାଟେଶ ରାଜା

କ୍ଷଣକେ ଜିଣିପାରନ୍ତି ର୍ସ୍ୱଗର ବିଡ଼ୋଜା ।

ଦେଖିଣ ଗରୁଡ଼ ରହିଅଛି ପଟୁଆରି

କ୍ଷଣକେ ଘୋଟିବ ମନ କଲେ ତିନିପୁରୀ ।

ଏରୂପେ ବୋଧ କହନ୍ତେ ତାଙ୍କୁ ଲୋକଈଶ

ଶୁଣିଣ ସେ ଦିଗପାଳେ ହେଲେ ମନ ତୋଷ ।

ଏଥି ଉତ୍ତାରେ ଯେ ବାଣୀ ଶୁଣ ହେ ନାରଦ

ଦୈତ୍ୟଙ୍କର ଦୁଷ୍ଟବୁଦ୍ଧି ଦେଖିଣ ଗୋବିନ୍ଦ ।

ନୃସିଂହଗଣଙ୍କ ଆଜ୍ଞା ଦେଲେ ତତପର

ବୋଇଲେ ଏଥର ତୁମ୍ଭେ ଅସୁରଙ୍କୁ ମାର ।

ଶୁଣିଣ ଧାଇଁଲେ ଆଜ୍ଞା ପାଇ ହରିଗଣ

ସମସ୍ତେ ଧରି ଅକ୍ଷୟ ପାଶୁପତ ବାଣ ।

ଅକ୍ଷୟ ତୂଣୀର ଆଦି ଖଡୂଗକୁନ୍ତ ଯଷ୍ଟି

ଭୈରବ ନୃସିଂହ ଶର ପଞ୍ଚଦଶ କୋଟି ।

ଚରଣ ଏକପାଦ ଯେ ଦଶ ଦଶ ଭୁଜ

ତିନି ତିନି ନେତ୍ର ଜିହ୍ୱା ଯେ ଅମୃତ ତେଜ ।

ଶରୀର ପ୍ରକାଶେ ଶୁକ୍ଳାମ୍ବର ଦେହକାନ୍ତି

ପିନାକ ନାରାଚ ପାଶୁପାତ ବଜ୍ରଶକ୍ତି ।

ଉଗ୍ର ନୃସିଂହ ଯେ ଦଶଲକ୍ଷ ଚଳିଗଲେ

କୌମୁଦକୀ ଗଦା ଚକ୍ର ସର୍ବେ ଧରିଥିଲେ ।

ଶରୀରେ ବିରାଜେ ଦିବ୍ୟ ଶଙ୍ଖ ଚକ୍ର ଚିହ୍ନ

ଶ୍ରୀ ବଇଜୟନ୍ତୀ ମାଳା ହୃଦେ ଲମ୍ବମାନ ।

ସୁନ୍ଦର ପୀତବସନ ବିରାଜେ ସର୍ବାଙ୍ଗେ

ପରଶୁ ମୁଦ୍‌ଗର ଧରି ଉଭା ହେଲେ ଆଗେ ।

ଶ୍ରୀବୀର ନୃସିଂହଗଣ ଜାଣ ବୃନ୍ଦ ଦଶ

କଟିରେ ଯେ ପିନ୍ଧିଛନ୍ତି ନୂଆ ପିତବାସ ।

ନାନାବିଧ ଶସ୍ତ୍ରମାନ ଅଛନ୍ତି ଯେ ଧରି

ଯୁଦ୍ଧକୁ ସେ ଗଲେ ଘୋର ଗରଜନ କରି ।

କାଳାନଳ ନୃସିଂହ ଯେ ଜାଣ ବାର ଖର୍ବ

ବଡ଼ବାଗ୍ନି ପ୍ରାୟ ବୁଲାଇ ସେ ଜିହ୍ୱା ସର୍ବ ।

ଭୀଷଣ ନୃସିଂହ ଜନମିଲେ ସାତକୋଟି

ଖଡ଼ଗ ଗଦା ଗୁରୁଜ କରେ କୁନ୍ତ ଯଷ୍ଟି ।

ଶ୍ରୀଭଦ୍ର ନୃସିଂହଗଣ ଜାତ କୋଟି ଲକ୍ଷ

ଶ୍ରୀନୃସିଂହ ମୂର୍ତ୍ତିମନ୍ତ ଜନ୍ମିଲେ ଅସଂଖ୍ୟ ।

ଆହେ ବୁଧଜନେ ଏହି ଅଗାଧ ସାଗର

ମୁହିଁ ତାହା ଲେଖିବାକୁ କେତେକ ମାତର ।

ଗଣିଲେ କି ଗଙ୍ଗା ବାଲି କାଳେ ଯିବ ସରି

ନୃସିଂହଗଣ ଲେଖିବ କେହୁ ସଂଖ୍ୟାକରି ।

ବିପ୍ରକୁଳେ ଜନ୍ମମୋତେ କଲ ନିରାକାର

ପୁରାଣେ ଗଲା ମୋ ଦିନ ଚୌରାଶୀ ବତ୍ସର ।

ଦେହ ବହିଲାଠାରୁ ମୁଁ କରେ ବିଷ୍ଣୁ ପୂଜା

ସାହୁର ଖାତକି ନୁହେଁ ରାଜାର ମୁଁ ପ୍ରଜା ।

ହରିବାଣୀ ବ୍ୟତୀତ ନ ଜାଣେ ଆନ ମୁହିଁ

ଜ୍ଞାନ ଅମୃତକୁ ଭୁଞ୍ଜି ଗୃହେ ବସିଥାଇ ।

ହରିଙ୍କୁ ମୁଁ ଦୃଷ୍ଟି ଅଗ୍ରେ ଦେଖେ ଅନୁକ୍ଷଣେ

ଦେଖନ୍ତି ସକଳେ ତାଙ୍କୁ ଚିହ୍ନେ ନାହିଁ ଜଣେ ।

ଯେବଣଠାରେ ଉପାୟ ହୋଇଛି ଏ ସୃଷ୍ଟି

ଗଲାବେଳେ ସେହିଠାରେ ରହଇ ପାଲଟି ।

ତହିଁ ଉତ୍ତାରୁ ହୁଅନ୍ତି ହରି ଆତଯାତ

ଯେ ଯେତେ ଯୋଗ୍ୟ ତାହାକୁ ସେ ସ୍ଥାନପ୍ରାପତ ।

ଭଲକୁ ଭଲସ୍ଥାନ ମନ୍ଦକୁ କୁସ୍ଥାନ

ଏହି କଥା ଗୋଟି ଧ୍ରୁବ ଗୋବିନ୍ଦ ଲେଖନ ।

ଗୋବିନ୍ଦ ଆଜ୍ଞାରୁ ମୁହିଁ ଲେଖଇ ମାତର

ସୁପଣ୍ତିତ ଲୋକର ଏ ନୁହଇ ଚାତର ।

ନ ଧରିବ ସୁଜ୍ଞଜନମାନେ ମୋର ଦୋଷ

ଶ୍ରୀନୃସିଂହ ଆଶ୍ରିତ ମୁଁ ପୀତାମ୍ବର ଦାସ ।

ଶୁଣ ହେ ନାରଦ କହୁଛନ୍ତି ବେଦବ୍ରହ୍ମା

କେହୁ ଲେଖି କହିପାରେ ନୃସିଂହ ମହିମା ।

ରହିଲେ ଆନନ୍ଦବନଯାକ ସବୁ ପୂରି

ଶ୍ରୀଅଙ୍ଗୁ ପ୍ରକାଶି ଦିଶିଲେକ ରୂପ ଧରି ।

ଯେତେ ଦୈତ୍ୟ ନୃସିଂହ ମୂରତି ତେତେ ହେଲେ

ଶ୍ୱେତ କୃଷ୍ଣବର୍ଣ୍ଣ ଧରି ଦେହ ପ୍ରକାଶିଲେ ।

କେଶର ଫୁଲାଇ କରି ଜିହ୍ୱା ଲହ ଲହ

ପ୍ରଭୁଙ୍କୁ ବୋଇଲେ ଆମ୍ଭେ କି କରିବୁ କହ ।

ଶ୍ରୀନୃସିଂହ ଆଜ୍ଞା କଲେ ଶୁଣ ବୀରମାନେ

ମାର ଏହି ଅସୁରଙ୍କୁ ପଶି ରଣସ୍ଥାନେ ।

ଦାରୁଣ ଦୈତ୍ୟକୁ ଛାଡ଼ି ଆଉ ସବୁମାର

ଶେଷଦେବଙ୍କର ହାତେ ମରିବ ସେ ବୀର ।

ଏ ଦାରୁଣ ଅନ୍ତେ ଅମ୍ଭେ ମୂରକୁ ଯେ ଜାଣ

ସମର କରିଣ ନିଶ୍ଚେଁ ଘେନିବୁ ତା ପ୍ରାଣ ।

ମୁରକୁ ମାରିଣ ଆମ୍ଭେ ମୁରାରି ଯେ ହେବୁଁ

ଯୁଗକୁ ଯୁଗ ଯେ ତୁମ୍ଭେ ଜନ୍ମିବ ମୋ ଗର୍ଭୁଁ ।

ଏହି ଅବତାରେ ହୋଇ ଶ୍ରୀନୃସିଂହଗଣ

ଆଉ ଅବତାରେ ମଧ୍ୟ କହିବା ହୋ ଶୁଣ ।

ଏହି ମୃରାସୁର ମଲେ ହିରଣାକ୍ଷ ହେବ

ତାହାର ବୀର୍ଯ୍ୟରୁ ପୁଣି ପ୍ରହ୍ଲାଦ ଜନ୍ମିବ ।

ଜନ୍ମ ହେଲାକ୍ଷଣି ଭଜିବ ସେ ଭଗବାନ

ତାହା ଶୁଣି ମନେ ଶଙ୍କା କରିବ ହିରଣ୍ୟ ।

ବୋଲିବ ଏ କୁଳାଙ୍ଗାର ଜନ୍ମିଲା କାହିଁକି

ଜନ୍ମ ହୋଇ ଭଜିଲା ଏ ମୋର ବଇରୀକି ।

ଆଜ ପଢ଼ାଇବି ଶିବ ପୁରାଣ ମୁଁ ଆଣି

ନ ପଢ଼ିଲେ କୁମରକୁ ପକାଇବି ହାଣି ।

ଏତେ ବୋଲି ପୁତ୍ରକୁ ଯେ ବସି କୋଳକରି

ବୋଲିବ ରେ ଭଜ ବାପ ଶଙ୍କର ଗଉରୀ ।

ହରିଙ୍କୁ ଭଜିଲେ ତୁହି ଅଳ୍ପେ ମରିଯିବୁ

ହରଙ୍କୁ ଭଜିଲେ ବାପ ଅମର ହୋଇବୁ ।

ଅମର ଯେବେ ତୁ ହେବୁ ଭୁଞ୍ଜିବୁ ଯେ ଶିରୀ

ପୃଥ୍ୱୀଯାକେ କରିବି ମୁଁ ତୋତେ ଦଣ୍ତଧାରୀ ।

ନୃପତି ହୋଇ ବସିବୁ ମୋର ସିଂହାସନେ

ଏ ସୁଖ ତେଜି ଭଜୁଛୁ କିମ୍ପା ହରି ମନେ ।

ଶୁଣିଣ ସେ ପ୍ରହଲାଦ ମନେ ହୋଇ ଭୋଳ

ବୋଲିବେ ଶୁଣ ହେ ତାତ କଶ୍ୟପର ବାଳ ।

ତୁହି ତ ବୁଝିଲେ ମୋର ପିଣ୍ତର କାରେଣୀ

ହରି ବ୍ରହ୍ମାଣ୍ତ କରତା ମୋକ୍ଷଦାତା ପୁଣି ।

ହରିଙ୍କୁ ଭଜିଣ ହର ଛନ୍ତି ଆଶ୍ରେ କରି

ଭଜନ୍ତି ସେ ଅନୁକ୍ଷଣେ ସୁଖ ଅନୁସରି ।

ଶ୍ରୀହରି ପାଦକୁ ନାହାନ୍ତି ଯେ ଭେଟପାଇ

ଗଲାଣି ଲକ୍ଷେକ ଯୁଗ ମୁଣ୍ତେ ଜଟା ବହି ।

ମୁହିଁ ଜନ୍ମ ହେଲାଦିନୁ ଅବିଦ୍ୟା ନ କରି

ଭଜଇ ମୁଁ ଅନୁବ୍ରତେ ରାମକୃଷ୍ଣ ହରି ।

ହରିନାମ ରସ ଲାଗେ ମୋତେ କେଡ଼େ ସ୍ୱାଦ

ମିଶିଣ ଦୁହେଁ ଚୁମ୍ବିବା ଆସ ମକରନ୍ଦ ।

ଭୁଞ୍ଜିବୁ ସେ ମକରନ୍ଦ ରସ ଯେବେ ଚିହ୍ନି

ସବୁ ଆତ୍ମା ଏତ ଜାଣି ଭବେ ହେବା ମୁନି ।

ଅଛନ୍ତି ସବୁରି ଦୁଷ୍ଟ ଅଗ୍ରେ ପ୍ରଭୁ ରହି

ଏ ସଂସାର କାହାରିକୁ ଏହା ଜଣା ନାହିଁ ।

ଆହେ ତାତ ଦେଖ ଦେଖ ତୁମ୍ଭ ଆମ୍ଭ ମଧ୍ୟେ

ବିଜେ କରିଛନ୍ତି ପ୍ରଭୁ ଶୁକ୍ଳାମ୍ବର ହୃଦେ ।

କ୍ଷଣେହେ ତୁମ୍ଭେ ବସନ୍ତ ଯେବେ ହେତୁଦେଇ

ଦେଖ ହେ ତୁମ୍ଭର ହୃଦେ ବିରାଜନ୍ତି ସେହି ।

ହିରଣ୍ୟ ବୋଲଇ ବଳା ବୋଇଲୁ ତୁ କିସ

ଶୁଣି ତୋର କଥା ମୋତେ ଲାଗୁଅଛି ବିଷ ।

କେବଣ ପ୍ରଭୁ ରଖିବେ ଦେଖି ତୋତେ ଆଜ

ଏରୂପେ ବୋଲି ଗର୍ଜିଣ ଉଠିବ ଦନୁଜ ।

ଚକ୍ଷୁ ତରାଟି ଧାଇଁବ କୋପେ ଶିରଝୁଣୀ

ବୋଲିବ କାହିଁରେ ତୋର ଦେଖା ଚକ୍ରପାଣୀ ।

ନୋହିଲେ ଶିର ତୋହର ଛେଦିବି ଏକ୍ଷଣ

ଏରୂପେ ବୋଲି କ୍ରୋଧରେ ଉଠିଚି ହିରଣ୍ୟ ।

ଫିଙ୍ଗିବ ପ୍ରହ୍ଲାଦ କେଶ ଧରି ଅନ୍ତରାଳେ

ବାତଚକ୍ରେ ବୁଲି ଆସି ବସିବ ସେ ତଳେ ।

ହସି ପିତାଙ୍କୁ କହିବ ଚାହିଁ କରଯୋଡ଼ି

ବୋଲିବ ନ ବୋଲ ତୁମ୍ଭେ ଶ୍ରୀହରିଙ୍କୁ ହୁଡ଼ି ।

ଅଟନ୍ତି ସବୁରି ମୋକ୍ଷଦାତା ଜଗନ୍ନାଥ

ଶତ୍ରୁଙ୍କୁ ହେଲେହେଁ ଆଗ ଦ୍ୟନ୍ତି ମୋକ୍ଷପଥ ।

ତୁମ୍ଭେ ଯେ ବୋଲଦେଖାଅ ମୋତେ ବେଗେ ହରି

ଦୁଷ୍ଟ ଆଗରେ ମୋହର ଛନ୍ତି ବିଜେ କରି ।

କୀଟୁଁ ବ୍ରହ୍ମଯାଏ ପ୍ରଭୁ ଅଛନ୍ତି ଯେ ରହି

ତୋର ଆଉଜା ସ୍ତମ୍ଭରେ ଛନ୍ତି ଭାବଗ୍ରାହୀ ।

ଶୁଣି ହିରଣ୍ୟ ଅସୁର ଉଠିବ ତତ୍କାଳେ

ସ୍ତମ୍ଭରେ ମାରିବ ପାଦ ନେଇ କୋପାନଳେ ।

ପାଦ ବାଜନ୍ତେ ନୃସିଂହ ପ୍ରଭୁ ଭାବଗ୍ରାହୀ

ସ୍ତମ୍ଭୁ ଅବତରି ଦୈତ୍ୟକୁ ଯେ ଦେଖାଦେଇ ।

ସହସ୍ର ବରଷଯାଏ ଘୋର ଯୁଦ୍ଧ କରି

ତୁମ୍ଭେ ଯେ ନୃସିଂହଗଣ ଥିବ ହୃଦେ ପୂରି ।

କର ଅଙ୍ଗୁଳିଯାକ ମୋ ହେବ ନଖଦାଡ଼ି

ସୂର୍ଯ୍ୟର କିରଣ ପ୍ରାୟ ପ୍ରକାଶିବ ବେଢ଼ି ।

ମହା ତୀକ୍ଷ୍‌ଣ ଦାଢ଼ି ହେବ ନଖଯାକ ମୋର

ବିଦାରିଲେ ଯିବ ସେହି ବଇକୁଣ୍ଠପୁର ।

ଆମ୍ଭେ ନୃସିଂହ ଏକା ତା ସ୍ତମ୍ଭୁ ବାହାରିବୁଁ

ନୃସିଂହ ନାମ ବହିଣ ହିରଣ୍ୟ ମାରିବୁ ।

ନୃସିଂହ ନ ଥିଲେ ସ୍ତମ୍ଭୁ କେହ୍ନେ ହୋନ୍ତା ଜାତ ଶୁଣିଣ ନୃସିଂହଗଣେ କହନ୍ତିଶ୍ରୀକାନ୍ତ ।ଆବର ଯେ ଅବତାର କହିବା ତା ଶୁଣଲେଉଟି ହିରଣ୍ୟ ଯାଇଁ ହୋଇବ ରାବଣ।

 

ଆମ୍ଭେ ଯେ ନୃସଂହ ଏକା ତ୍ରେତାଯୁଗେ ଯାଇ

ହୋଇବୁ ଯେ ଅବତାର ରାମ ଚାରିଭାଇ ।

ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ହୋଇବୁ

ଦଶରଥଙ୍କର ଘରେ ଯାଇ ଜନମିବୁ ।

ରାବଣ ଯେ ହରିନେବ ଜନକର ଝିଅ

ତୁମ୍ଭେ ଯେ ନୃସିଂହଗଣ ଏହା ଶୁଣିଥାଅ ।

ତହିଁର ନିମନ୍ତେ ଆମ୍ଭେ ପ୍ରବେଶିବୁ ଲଙ୍କା

ତୁମ୍ଭେମାନେ କପିବଳ ହେବ ଯାଇ ଏକା ।

ତୁମ୍ଭଙ୍କୁ ପାଇଣ ସାହା ମାରିବୁ ରାବଣ

ଆବର ଯେ ଅବତାର କହିବା ତା ଶୁଣ ।

ଦ୍ଵାପର ଯୁଗରେ ଯାଇ କୃଷ୍ଣ ଅବତାରେ

ବଢ଼ିବୁ ଜନମ ହୋଇ ନନ୍ଦରାଜା ଘରେ

କୃଷ୍ଣ ଅବତାର ଆମ୍ଭେ ଯାଇ ଏକା ହେବୁ

ମଥୁରା ଯାଇଣ କଂସ ରାଜା ସଂହାରିବୁ ।

ଦ୍ଵାରକାରେ ରହି ମାରିବୁ ଯେ ଶିଶୁପାଳ

ତୁମ୍ଭେଟି ନୃସିଂହଗଣ ହେବ ଯଦୁବଳ ।

ଏହି ଅବତାର ଅନ୍ତେ ବୈକୁଣ୍ଠକୁ ଯିବ

ଶୁଣନ୍ତି ନୃସିଂହଗଣେ କହନ୍ତି ଯେ ଦେବ ।

ଅସୁର ରୂପେ ଜନ୍ମିବ ମୁର ତିନିଥର

ଶିଶୁପାଳ ହେବ ପୁଣି ଆଉ ଜନ୍ମେ ତାର ।

ମାନବ ଜନମ ବହି ମରି ଆମ୍ଭ ହାତେ

ଏରୂପେ ମୋକ୍ଷ ହୋଇବ ଚାରିଜନ୍ମ ଅନ୍ତେ ।

ଏବେ ହେ ନୃସିଂହଗଣ ତୁମ୍ଭେ ବେଗେଯାଅ

ଦୈତ୍ୟଗଣଙ୍କୁ ମାରିଣ ଆରୋଗ୍ୟରେ ଥାଅ ।

ଶୁଣି ହରିଗଣ ଧାଇଁ ଗଲେ ଆଜ୍ଞାପାଇ

ଦୈତ୍ୟଙ୍କୁ ଦିଶିଲେ ଦ୍ଵିଗୁଣରେ ରଣଭୂଇଁ

ନୃସିଂହ ପ୍ରଭୁଙ୍କୁ ସିନା ବେଢ଼ି ଥିଲେଦୈତ୍ୟେ

ପାଞ୍ଚିଲେ କାହୁଁ ଆସିଲେ ମାଡ଼ି ବିପ୍ର ଏତେ ।

ଲେଖନ୍ତେ ତ ଲକ୍ଷକୋଟି ହେବେ ବିପ୍ରଗଣ

ଏତେ ପାଞ୍ଚି ଗଦା ପିଟିଲେକ ନିର୍ଘାତେଣ ।

ଦେଖିଣ ଉଗ୍ର ନୃସିଂହ ପାତିଲେକ ମୁଣ୍ଡ

ପଡ଼ିଣ ସେ ଗଦାମାନ ହୋଇଗଲେ ଗୁଣ୍ଡ ।

ହରି ଆଜ୍ଞାକଲେ ଶୁଣ ହେ ଉଗ୍ର ନୃସିଂହ

ମହାଜ୍ଵାଳା ଥାଟ ସୈନ୍ୟ ମାର ତୁମ୍ଭେ ବେଗ ।

ବୀର ନରସିଂହକୁ ଯେ ଚାହିଁ ପୁଣ ହରି

ଶସ୍ତ୍ର ଶିଳା ସଇନ୍ୟଙ୍କୁ ମୋର ଯୁଦ୍ଧ କରି ।

ଚାହିଁଲେ ଭୀଷକ ନୃସିଂହକୁ ଚକ୍ରଧର

ଅର୍ଘାସୁର ଥାଟଯାକ ବେଗେ ତୁମ୍ଭେ ମାର ।

ଜନ ନୃସିଂହକୁ କହିଲେ ଯେ ଭାବଗ୍ରାହୀ

ଶଙ୍ଖାସୁର ସୈନ୍ୟକୁ ତୁ ମାର ବେଗେ ଯାଇ ।

ଭଦ୍ର ନରସଂହକୁ ଶ୍ରୀହରି ଆଜ୍ଞାଦେଲେ।

ଧେନୁକାସୁର ସୈନ୍ୟକୁ ସଂହାର ବୋଇଲେ ।

ମୂର୍ତ୍ତବନ୍ତ ନୃସିଂହକୁ ବୋଲେ ଲକ୍ଷ୍ମୀବର

ଏ ପମ୍ପାସୁର ସୈନ୍ୟଙ୍କୁ ବହନ ଯେ ମାର ।

ଆମ୍ଭେ ହେଲେହେଁ ଦିଅନ୍ତୁ ଚକ୍ରେ ପୁଣି ହାଣି

କୌତୁକ ପାଇ ତୁମ୍ଭଙ୍କୁ ପ୍ରକାଶିଲୁ ଆଣି ।

ଶୁଣିଣ ନୃସିଂହଗଣ ପେଶୁ ବଜ୍ରଶର

ଦୈତ୍ୟଙ୍କ ଅଙ୍ଗରେ ପଡ଼ି ହେଲା ଶତେ ଚୂର ।

ଶ୍ରୀନୃସିଂହଗଣ ଯେତେ ସର୍ବେ ମହାବଳି

ଦୈତ୍ୟଙ୍କ ନାରାଚ ଅଙ୍ଗେ ପଡ଼ି ହୁଏ ଧୂଳି ।

ନୃସିଂହଗଣ ବିସ୍ତାରି କାୟା ଶତେ ଯୁଣ

ମାଇଲେକ ବିଧା ନେଇ ଦୈତ୍ୟ ଉପରେଣ ।

କେହି ପେଟ ଫୁଲାଇଣ କାଢ଼ି ଅନ୍ତମାଳା

ଧଇଲା ସୈନ୍ୟ ମରୁଡ଼ି ଦେଖି ମହାର୍ଗଳା ।

ତାହା ତୁଲେ ଧଣ୍ଡଗିଲା ଶସ୍ତ୍ରଗିଳା ଉଠି

ପିଟିଲେ ଉଗ୍ର ନୃସିଂହ ଶିରେ ନେଇ ଯଷ୍ଟି ।

ପଡ଼ନ୍ତେ ସେ ଯଷ୍ଟି ଭାଜି ହେଲା ଶତେଖଣ୍ଡ

ଧାମନ୍ତି ସେ ଶୂନ୍ୟହସ୍ତେ ଟେକି ଭୁଜଦଣ୍ଡ ।

ଅସୁରେ ଗଦା ଧରିଣ ପିଟିଲେକ ନେଇ

ଭାଜିଣ ସେ ଗଦାମାନ ଗଲେ ଚୂର୍ଣ୍ଣ ହୋଇ ।

ଦେଖି ଦୈତ୍ୟଙ୍କୁ ଆଇ ନସ୍ଫୁରେ ମନେ କିଛି

ତୁଣ୍ଡ ବିସ୍ତାରି ଧଇଲେ ନୃସିଂହକୁ ଭକ୍ଷି ।

ବଢ଼ାଇଣ ଭୁଜଧଣ୍ଡ ଧରି ନଖେ ତୋଳି

ଗର୍ଭକୁ ବୋଲି ତାହାକୁ ଦେଲା ଦୈତ୍ୟ ଗିଳି ।

ଦେବତାମାନେ ଶୂନ୍ୟରେ ତାହା ଦେଖୁଥିଲେ

ଆତଙ୍କ ହୋଇ ଅନେକ ସ୍ତୁତିପାଠ କଲେ ।

ବୋଇଲେ ପ୍ରଭୁ ସଂସାର ତୋର ଏବେ ରଖ

ଉଗ୍ରନୃସିଂହଙ୍କୁ ଗିଳିଦେଲା ଦୈତ୍ୟ ମୂର୍ଖ ।

ଦୈତ୍ୟଙ୍କୁ ପାଇଁ ତୁମ୍ଭେ ଯେ କଲ ପ୍ରଭୁ ଜାତ

ତୁମ୍ଭଙ୍କୁ ଗିଳିଲେ ପୃଥ୍ଵୀ ହେବ ରସାଗତ ।

ଆଉ କି ରହିବୁ ଦେବଗଣ ସ୍ଵର୍ଗପୁରେ

ଏଥକୁ ଭୋ ନୃସିଂହ ଯେ କୃପା କର ବାରେ ।

ଭୋ ଦେବ ଉଗ୍ରନୃସିଂହ ଅଟେ ବିଷ୍ଣୁମାଳା

ପୃଥ୍ଵୀହନ୍ତକ ଅଟଇ ଏହି ମହୀଗିଳା ।

ଆବର ସହସ୍ରଗିଳା ଧଣ୍ଡଗିଳା ବେନି

ଗର୍ଭ ଚିରିଲେ ମରିବେ ଏହୁ ଦୈତ୍ୟ ତିନି

ଭୋ ଦେବ ଉଗ୍ର ନୃସିଂହ କୃପାକର ବାରେ

ପୀତାମ୍ବର ଶରଣ ଯେ ପଶେ ନିରନ୍ତରେ ।

ଏ ରୂପେ ଦେବତାମାନେ କରନ୍ତି ଯେ ସ୍ତୁତି

ଗର୍ଭେ ଧଇଲେ ନୃସିଂହଗଣ ଘୋରମୂର୍ତ୍ତି ।

ଦୈତ୍ୟଙ୍କ ଗର୍ଭ ଚିରିଣ ହୋଇଲେ ବାହାର

ପ୍ରାଣ ଛାଡ଼ି ଦୈତ୍ୟଗଣ ଗଲେ ଯମପୁର ।

ଦେଖିଣ ଦେବତାମାନେ କଲେ ଜୟେଜୟେ

ବର୍ଷିଲେ କୁସୁମମାନେ ନୃସିଂହଙ୍କ ଦେହେ ।

ଏଥିଉତ୍ତାରେ ଯେ ବାଣୀ ନାରଦ ହୋ ଶୁଣ

କହିବା ଦାରୁଣ ସେନାମାନଙ୍କର ଗୁଣ ।

କୁମଣ୍ଡ ପ୍ରଚଣ୍ଡ ଚଣ୍ଡ ଆଉ ବେଣାସୁର

ଆକାଶଯାଅଏ ଯେ ଟେକି ଅଛନ୍ତି ଯେ ଶିର ।

ସ୍ଵର୍ଗ ମର୍ତ୍ତ୍ୟ ପାତାଳ ଘୋଟିଲା ପ୍ରାୟ ଦିଶେ

ନୃସିଂହଗଣଙ୍କୁ ମାଡ଼ି ବସିଲେ ରାକ୍ଷସେ ।

ଦେଖି ବୀର ନୃସିଂହ ଯେ ଧାଏଁ କୋପକରି

ଅକ୍ଷୟ ତୂଣୀର ଧନୁ କୌମୋଦକୀ ଧରି ।

ଶକତି ଶୁଳ ମୂଷଳ ପରିଘ ଖଡ଼ଗ

ମହା ବିଶ୍ଵରୂପ ଧରି ଧାଇଁଲେ ନୃସିଂହ ।

ଦୈତ୍ୟଙ୍କଠାରୁ ଧଇଲେ ରୂପ ଶତେଗୁଣ

ପିଟିଲେ ଶୂଳେକ ନେଇ ଅସୁର ଶିରେଣ ।

ବାଜିଣ ପୃଥ୍ଵୀ କମ୍ପିଲା ସେହି ଶୂଳଘାତେ

ଟହ ଟହ ହୋଇ ହସି ଉଠିଲେ ଦଇତ୍ୟେ ।

ପିଟିଲେ ଛଡ଼ାଇ ଶୂଳ ନୃସିଂହ ଉପରେ

ନିଷ୍କମ୍ପେ ଅଛନ୍ତି ରହି ସେ ନୃସିଂହବୀରେ ।

ପଡ଼ିଣ ଅଙ୍ଗରେ ଭାଜି ଶୂଳ ହେଲା ଧୂଳି

ଚାହିଁ କୋପ କରିଲେ ସେ ଦୈତ୍ୟ ମହାବଳୀ ।

ଧରିଣ କରେ ଗଦାକୁ ପିଟିଲେ ସେ ଦୈତ୍ୟ

ବାଜନ୍ତେ ଗଦା ହସିଲେ ପ୍ରଭୁ ଅପ୍ରମିତ ।

ପଡ଼ିଣ ଅଙ୍ଗେ ହୋଇଲା ଗଦା ଶତେ ଚୂର

ପୁଣିହିଁ ଲକ୍ଷେ ନାରାଚ ବିନ୍ଧିଲେ ଅସୁର ।

ପଡ଼ନ୍ତେ ଶର କକଡ଼ା ମାସ ବୃଷ୍ଟି ଜାଣ

ନୃସିଂହ ନିଃଶ୍ଵାସେ ଉଡ଼ିଗଲେ ତତକ୍ଷଣ ।

ପୁଣିହିଁ ବିନ୍ଧନ୍ତେ ଅଗ୍ନିଶର ଦୈତ୍ୟଆଣି

ନୃସିଂହଙ୍କୁ ଦେଖି ଅଗ୍ନି ଲିଭିଲେ ସେକ୍ଷଣି ।

ଅଗ୍ନି ବୋଇଲେ ପ୍ରତ୍ୟକ୍ଷେ ତୁମ୍ଭେ ବିଷ୍ଣୁ ଅଙ୍ଗ

ତୁମ୍ଭଙ୍କୁ ସେ ନ ଚିହନ୍ତି ଏ ଅସୁର ବର୍ଗ ।

ଏବେ ଏହି ଅସୁରଙ୍କୁ ବେଗେ ସ୍ଵାମି ମାର

ଏତେକ କହିଣ ପ୍ରଣମିଲେ ବୈଶ୍ଵାନର ।

ଦେଖିଣ ଦଇତ୍ୟ ତାହା ଚମତ୍କାର ହେଲା

ଗୁରୁଜ କୁନ୍ତ ଯଷ୍ଟି ଯେ ପୁଣ ପ୍ରହାରିଲା ।

ଲାଙ୍କିଆ ଛେଲ ସାବେଳି ଭାଲଛୁରୀ ଖଣ୍ଡା

ଏକାବେଳେ ପିଟିଲେ ନେଇ ଦୈତ୍ୟଷଣ୍ଢା ।

ପରିଘ ଚକ୍ର ନାରାଚ କାତି ଫଳି ଫଳା

ପିଟିଲେ ଯେ ଯାହା ମନକୋପ ଅନର୍ଗଳା ।

ନୃସିଂହ ସ୍ଵାମୀ ଦେଖିଣ ଗଲେ ଆଡ଼ହୋଇ

ଅସୁରଙ୍କୁ ମାଡ଼ି ବସିଲେକ କୋପେ ଡେଇଁ ।

ଶୂନ୍ୟହସ୍ତେ ହୋନ୍ତେ ଦୈତ୍ୟ ହେଲେ ଅଶକତ

ମାଇଲେ ଚାରିଙ୍କୁ ମାଡ଼ିବସି ବଜ୍ରମୁଥ ।

ବାଜନ୍ତେ ସେ ମୁଥ ଦୈତ୍ୟ ମଲେ ବୁକୁଫାଟି

ଦେଖିଣ ଧାଇଁଲେ ହରିଗଣ କୋଟି କୋଟି ।

ସେ ଚାରି ସେନା ସୈନ୍ୟଙ୍କୁ ପକାଇଲେ ହାଣି

ପଡ଼ିଲେକ ମହାକୁଢ଼ ଗିରି ପ୍ରାୟ ପୁଣି ।

ସପ୍ତକ୍ରୋଶ ଯାଏ ଥିଲେ ଅସୁରର ସୈନ୍ୟ

ବେଢ଼ିଲେ ପିମ୍ପୁଡ଼ିମାଳ ପ୍ରାୟ ହରିଗଣ ।

ମଲା କଥାରେ ସେ ହେତୁ ନାହିଁ ଦୈତ୍ୟଙ୍କର

ମାରିବା ବୋଲନ୍ତି ମରୁ ଅଛନ୍ତି ଅସୁର ।

ବିନ୍ଧନ୍ତି ଶର କକଡ଼ା ମାସ ବୃଷ୍ଟି ଜାଣି

ଗଦା ମୁଦୁଗର ଛେଲ ଶରମାନ ଟାଣି ।

ପରିଘ ଭୂଷଣ୍ଡ କୁନ୍ତ ବଜ୍ରବାଣ ମାରି

ଶକତି ପରଶୁ ଖଣ୍ଡା ଚକ୍ରକୁ ପ୍ରହାରି ।

ଶାବେଳି ମୂଦୁଗର ମହାକାଳ ପାଶୁପତ

ବିନ୍ଧନ୍ତି ଅସୁରେ କ୍ରୋଧ ହୋଇ ନାନାଶସ୍ତ୍ର ।

ନୃସିଂହ ଗଣଙ୍କ ହୃଦୁ ଉଠେ ଅଗ୍ନି ଜଳି

ପଡ଼ିଣ ସେ ଶରମାନ ଦେହେ ହ୍ଵନ୍ତି ଧୂଳି ।

ଧନ୍ୟ ଧନ୍ୟ ପ୍ରଭୁ ସେହି ନୃସିଂହଙ୍କ ପୁତ୍ରେ

ନିଃଶ୍ଵାସ ଗୋଟିକେ ମାରି ପକାନ୍ତି ମର୍ଭୂତେ ।

ତିନିଘଡ଼ି ଯୁଦ୍ଧ ଲାଗିଲାକ ଅପ୍ରମେୟେ

ଲେଖନ୍ତେ ମଲେ ସେ ଦୈତ୍ୟ କୋଟି ବୃନ୍ଦଯାଏ।

ସେ ସବୁ ଶବକୁ ଯୋଗ୍ନୀମାନେ ଗଲେ ଭକ୍ଷି

ଡାକିନୀ ବେତାଳୀ ପିଶାଚୁଣୀ କାଳମୁଖୀ ।

ଏସନ ମହିମା ଏ ନୃସିଂହ ଗ୍ରନ୍ଥ ବାଣୀ

ମାନବ ଜନ୍ମକେ ଲେଖିପାରେ କେହୁ ପ୍ରାଣୀ ।

ପରମ ମହେଶ୍ଵରୀ ଯେ ଶାରଦା ସୁମୁଖୀ

ହୃଦରେ ବସି କହନ୍ତି ପଦଯାକ ଯୋଖୀ ।

ତାହା ମୁଁ ବୁଝି ଲେଖଇ ନେଇ ତାଳପତ୍ରେ

କୁଟୁମ୍ବ ପୋଷି ଭ୍ରମଇ ଏଣେ ଅହୋରାତ୍ରେ ।

ଅନ୍ନ ବ୍ୟାକୁଳେ ବସି ନ ପାରେ ମନସ୍ଥିରେ

ବିଷୟ ସଂସାରେ ମାତ୍ର କରେ ନିତ୍ୟାଚାରେ ।

ପଦାର୍ଥ ଯେ ଦାରା ସୁତ ନାନା ବ୍ରତ ଆଦି

ଗୋବିନ୍ଦେ ସମର୍ପି ସବୁ କରଇ ଭୋଗାଦି ।

ବିଷ୍ଣୁ ବ୍ୟତିରକେ ମୁଁ ନ ଜାଣେ ଆନ କିଛି

କାହାକୁ କହିଲେ ଦୁଃଖ ନେବ କି କେ ଯାଚି ।

ବିଷ୍ଣୁର ଉପରେ ବିଷ୍ଣୁ ଥାନ୍ତେ ଯେବେ ଜଣେ

ତେବେ ମୁଁ ଗୁହାରି କରି କହନ୍ତି ଚରଣେ ।

କୁଟୁମ୍ବ ଜଞ୍ଜାଳ ଦେହକୁ ଯେ କାଳପାଶ

ଏଡ଼େ ଜଞ୍ଜାଳ ଥାଇ କେ କହେ ଜ୍ଞାନରସ ।

ସେମାନଙ୍କୁ ଏ ସଂସାରେ ବୋଳେ ସୁପଣ୍ଡିତ

ସୁପଣ୍ଡିତ ଲୋକ ଅଟଇଟି ବିଷ୍ଣୁଭକ୍ତ ।

ମନୁଷ୍ୟ ଜନ୍ମ ସିନା ମୁଁ କେତେକ ମାତର

ତେଣୁ ଏହି ଗ୍ରନ୍ଥ ମୋତେ ଅଟେ ଅଗୋଚର ।

ସୁପଣ୍ଡିତ ମୁଖରେ ଏ ଗ୍ରନ୍ଥ ଅର୍ଥ ହୋନ୍ତେ

ଶ୍ରବଣ ପୂରି ବ୍ୟାପନ୍ତା ଆକାଶ ପର୍ଯ୍ୟନ୍ତେ ।

ଯେତେକ ଦିଶିଲା ପଦ କେତେ ଗଲା ସ୍ଫୁରି

ବିଷ୍ଣୁ ମହିମା କେ ଲେଖିପାରେ ଅନ୍ତକରି ।

ମୂର୍ଖ ଆଗରେ ପଢ଼ିବ ଯେବେ ବେଦ ଆଣି

ସେ ବୋଲେ କାନ ଅତଡ଼ା ପଡ଼ୁଛି ଯେ ଶୁଣି ।

ସୁପଣ୍ଡିତ ଜନ ମୁଖୁ ଶୁଣି ଏ ପୁରାଣ

ତେଣୁକରି ଗ୍ରନ୍ଥ ମୁହିଁ କଲି ଉଚ୍ଚାରଣ ।

ଯାର ଲୋମକୂପୁଁ ଜନ୍ମେ ବ୍ରହ୍ମାଣ୍ଡହିଁ ନିତ୍ୟେ

ସେ ମନ କଲେ ନୃସିଂହଗଣ ଅବା କେତେ ।

ଜନ୍ମିଲେ ଉଗ୍ର ନୃସିଂହଗଣ ଦଶଲକ୍ଷ

ଏକା ବର୍ଣ୍ଣରେ ସ୍ଵରୂପ ଦିଶନ୍ତି ପ୍ରତ୍ୟକ୍ଷ ।

ଜନ୍ମିଲେ ମହାନୃସିଂହଗଣ ଦଶକୋଟି

ଜନ୍ମିଲେ ମହାନୃସିଂହଗଣ ମେବଚ୍ଛଟି ।

ଜ୍ଵଳନ୍ତ ନୃସିଂହଗଣ ଜନ୍ମିଲେ ଅୟୁତେ

ସର୍ବତ୍ର ନୃସିଂହଗଣ ଜନ୍ମିଲେ ମର୍ଭୂତେ ।

ମୂର୍ତ୍ତିମନ୍ତ ନୃସିଂହ ଯେ ଜାତ ଖର୍ବ ଖର୍ବ

ମୁହିଁ ତାହା ଲେଖିବାକୁ ଅଟଇ କି ଯୋଗ୍ୟ ।

ଶ୍ରୀନୃସିଂହ ଅଙ୍ଗୁ ଜାତ ହ୍ଵନ୍ତି ଯେତେରୂପ

ମୁଁ ତାହା କିସ ଲେଖିଣ କରିବି ସଂକ୍ଷେପ ।

କରିବା କରୁଣା ମୋତେ କମଳା ବିଳାସ

ଶ୍ରୀନୃସିଂହ ଶରଣ ମୁଁ ପୀତାମ୍ବର ଦାସ ।

ଦାରୁଣ ଦୈତ୍ୟର ଯୁଦ୍ଧ

ଏଥୁଅନନ୍ତରେ ଦାରୁଣର କଥା ଶୁଣ

ଚତୁର୍ଥ ସାଗର ଏହି ନୃସିଂହ ପୁରାଣ ।

ବଦୟନ୍ତି ବେଦବ୍ରହ୍ମା ଶୁମ ହେ ନାରଦ

ଉଠିଲା ଦାରୁଣ ଦୈତ୍ୟ କରିବାକୁ ଯୁଦ୍ଧ ।

ସୈନ୍ୟଙ୍କୁ ବୋଇଲା ଚାହିଁଅଛି କେଉଁ ଲାଜେ

ଦେଖୁ ଦେଖୁ ସାତସେନା ନେଲେ ଯମରାଜେ

ବ୍ରାହ୍ମଣଙ୍କ ହସ୍ତେ କେଉଁ ଧନ ଶସ୍ତ୍ର ଅଛି

ଦେଖିଲାକ୍ଷଣି ତାଙ୍କୁରେ ପଳାଉଛ ଘୁଞ୍ଚି ।

ମୁଁ ହେଲେ ବିପ୍ରଯାକଙ୍କୁ ମଣୁଛୁ ଏମନ୍ତ

ଗଣ୍ଡମାଳା ପୋକ ପ୍ରାୟେ ହୁଅନ୍ତି ସେ ଜାତ ।

ତୁମ୍ଭେ ହେଲେ ଶବ ତାଙ୍କୁ ସେ ହେଲେ ଶାଗୁଣା

ଏରୂପେ ହେଲେ ଲାଗୁଛି ମୋତେ ବୁଝାମଣା

ଶ୍ରବୁ ଶ୍ରବୁ ତାଙ୍କ ହସ୍ତୁ ନିଅନ୍ତି ଛଡ଼ାଇ

ପିଟନ୍ତି ମୁଁ ମୁଣ୍ଡ ଫାଟି ଯାନ୍ତେ ଶବ ହୋଇ ।

ଏରୂପେ ଦେଲି ବିସ୍ତାରି ଦୈତ୍ୟ ବେନି ବାହ

ଚନ୍ଦ୍ରଙ୍କୁ ଧାଇଁ ଘୋଟଇ ଯେସନେକ ରାହୁ ।

ସେରୂପେ ଯୋଜନଯାଏ ବଢ଼ାଇଲା କର

ବତାସ ପରାୟ ଛାଡ଼େ ନିଃଶ୍ଵାସ ପ୍ରଖର ।

ଥୋକାଏ ନୃସିଂହଗଣ ଧଇଲା ଦରାଣ୍ଡି

ଗର୍ଭକୁ ବୋଲିଣ ଗିଳି ଦେଲା ମୁଣ୍ଡଗଣ୍ଡି ।

କିଞ୍ଚିତ ପ୍ରାୟକ ମଣି ଧରି ଦୈତ୍ୟରାଢ଼ି

ବୋଇଲା ଭସ୍ମ ହୁଅନ୍ତି ଗର୍ଭେ ମୋର ପଡ଼ି ।

ଏମନ୍ତ ପାଞ୍ଚିଣ ଦୈତ୍ୟ ଧଇଲା ନିରାଟେ

ଲକ୍ଷେ କୋଟି ମର୍ଭୁତେ ଗିଳିଲା ମୁଖବାଟେ ।

ଶୁଣ ନାରଦ ନୃସିଂହ ଗଣଙ୍କର ମାୟା

ଅକ୍ଷୟ ଅଜରାମର ଧରିଛନ୍ତି କାୟା ।

ଅସୁର ଥିଲା ପାଞ୍ଚିଣ ଭସ୍ମ ହେବେ ବୋଲି

ଅସୁର ନାସା ବାଟରେ ବାହାରିଲେ ପେଲି ।

ଲେଉଟି ଅସୁରେ ତାଙ୍କୁ ପୁଣି ଦିଏ ଗିଳି

ସେବାଟେ ବାହାରି ସର୍ବେ ଆସନ୍ତି ଯେ ଚାଲି ।

ଦେଖିଣ ଦଇତ୍ୟ ତାହା ହୁଏ ଆଚମ୍ବିତ

ବୋଇଲା ବ୍ରାହ୍ମଣ ଏହୁ ନୁହଇ ପ୍ରକୃତ ।

ଏହାଙ୍କୁ ମାରି ଅର୍ଜିବ କିସ ଯଶ ଶିରୀ

ବୁଝିଲେ ନୃସିଂହ ସିନା ଆମ୍ଭର ବଇରୀ ।

ତାହାଙ୍କୁ ଖୋଜି ମାରିଚି ଆଗ ଯାଇ ମୁହିଁ

ମାରିବି ବଦ୍ରିକା ଗଡ଼େ ପଶି ବେନିଭାଇ ।

ଏରୂପେ ପାଞ୍ଚି ଦଇତ୍ୟ ଡ଼ାକିଲା ସେନାଙ୍କୁ

ବୋଇଲାରେ ଜଗିମାର ଏହି ବ୍ରାହ୍ମଣଙ୍କୁ ।

ଯେ ରୂପେ ପାର ତାହାଙ୍କୁ ମାର ବେଗେ ଯୁଝି

ବଲ୍ଲଭପୁତ୍ରଙ୍କୁ ଏବେ ଯାଉଛି ମୁଁ ଖୋଜି ।

ନାହାନ୍ତି ବ୍ରାହ୍ମଣଗଣ ମଧ୍ୟେ ବେନି ଭାଇ

ମୋତେ ସେ ଦେଖିଣ ଡରି ଗଲେଣି ପଳାଇ ।

ଶୁଣି ସେନାପତିମାନେ ହେଲେ ଆଗୁସାର

ସୈନ୍ୟମାନଙ୍କୁ ବୋଇଲେ ବ୍ରାହ୍ମଣଙ୍କୁ ମାର ।

ଏରୂପେ କହି ଉଠିଲେ ବୈତ୍ୟ ଶିରଝୁଣି

ଯେ ରୂପେ ହାନ୍ଦୋଳି ହୁଏ ସାଗରର ପାଣି ।

ଶ୍ରୀନୃସିଂହଗଣ ତୁଲେ ଲାଗିଲା ସମର

ଏଥି ଉତ୍ତାରେ ଯେ କଥା ଶୁଣ ଦାରୁଣର ।

କପଟ ରୂପ ଧରିଣ ଗଲା ବଦ୍ରି ଦେଶ

ମାୟା ଜଟିଳ ରୂପରେ ହୋଇଲା ସନ୍ନ୍ୟାସ ।

ତମ୍ବାର ବର୍ଣ୍ଣ ପରାୟେ ଶରୀର ପ୍ରକାଶି

ପିଙ୍ଗଳ ବର୍ଣ୍ଣ ପରାୟେ ଦେହ ଲୋମ ଦିଶି ।

ନୟନ ବେନି ଦିଶଇ ସୂର୍ଯ୍ୟତେଜ ପ୍ରାୟେ

କଣ୍ଠରେ ରଦ୍ରାକ୍ଷମାଳା ବିଭୂତି ଯେ କାୟେ ।

ଶିରେ ଜଟାଭାର ଲଲାଟରେ ଚିତା କାଟି

ହସ୍ତରେ ବେଦ କାଣ୍ଡିଯେ କଟିରେ ଲାଙ୍ଗଟି ।

କର୍ଣ୍ଣରେ କୁଣ୍ଡଳ ବେନି ତମ୍ବାର ବିରାଜେ

କରରେ ସ୍ଫଟିକ ମଣି ଜପମାଳା ସାଜେ ।

ନବଗୁଣରେ ପଇତା କାନ୍ଧେ ଅଛି ପଡ଼ି

କଟିରେ ଯେ କଉପୂନୀ ପିନ୍ଧିଅଛି ଭିଡ଼ି ।

କର୍କଶ ପିଙ୍ଗଳ ବର୍ଣ୍ଣ ମୁଖ ନିଶ ଦାଢ଼ି

ଧରି ଲାଉତୁମ୍ବା ଲୁହା ଚିମୁଟା ଯେ ବାଡ଼ି ।

ଏରୂପେ ମାୟା ଜଟିଳ ହୋଇଲା ଦାରୁଣ

ବଦ୍ରିକା ଦେଶେ ମିଳିଲା ଯାଇଁ ତତକ୍ଷଣ ।

ସ୍ଵର୍ଗରୁ ଆସିଲା ପ୍ରାୟେ ଦିଶେ ତପୀଶୀଳ

ବଲ୍ଲଭ ପାଶରେ ଆସି ମିଳିଲା ଜଟିଳ ।

ଦେଖିଣ ବ୍ରହ୍ମଚାରୀଙ୍କି ସେ ବଲ୍ଲଭ ରାଜା

ମନେ ପାଞ୍ଚିଲେ ଅଟନ୍ତି ଏହି ବ୍ରହ୍ମଦ୍ଵିଜା ।

ଶ୍ରୀହରି ହରରୁ କିବ ଜଣେ କଲେ ବିଜେ

ଏତେ ପାଞ୍ଚି ପୂଜା ତାଙ୍କୁ କଲେ ନୃପରାଜେ ।

ଆସନ ଦେଇ ସୁବାସ ଜଳ ପାତ୍ରେ ଆଣି

ଜଟିଳର ପାଦଧୋଇ ଦେଲେ ତତକ୍ଷଣି ।

ଷଡ଼ଅର୍ଘ୍ୟରେ ପୂଜିଣ ଯେ କଲେ ମନତୋଷ

ପୁଚ୍ଛନ୍ତି କିମର୍ଥେ ବିଜେ କଲେ ମମଦେଶ ।

ଆପଣଙ୍କୁ ନେତ୍ରେ ମୁହିଁ କେଭେ ଦେଖିନାହିଁ

ପୂର୍ବଭାଗ୍ୟରୁ ଏତେକ ଦେଖା ପାଇଲଇଁ ।

ଗୃହ ମୋହର ପବିତ୍ର ହେଲା ଏତେକାଳେ

ବଂଶର ମୋ ବଡ଼ଭାଗ୍ୟ ଦେଖିଲି ମୁଁ ଡୋଳେ ।

ବିଷ୍ଣୁଙ୍କୁ ସମାନ ତୁମ୍ଭ ଅଟ ମୁନିବର

ଦେଖିଲା ବେଳରୁ କ୍ଲେଶ ଗଲାଣି ମୋହର ।

ବଲ୍ଲଭ ବାକ୍ୟ ଶୁଣିଣ ହସି ମାୟାଋଷି

ବୋଇଲେ ବ୍ରହ୍ମା ଅଛନ୍ତି ଜାଣ ମୋତେ ପେଶି ।

କୁଟୁମ୍ବଯାକ ତୁମ୍ଭର ଘେନି ଆମ୍ଭ ସଙ୍ଗେ

ଗଲେ ସ୍ଵର୍ଗପୁରେ ଯାଗ ଦେଖିବ ଏଲାଗେ ।

ତୁମ୍ଭର ପୁତ୍ରେ ଅଟନ୍ତି ପୁଣ୍ୟ ମହାଯୋଗ୍ୟ

ଗଲେ କରିବେ ତାହାଙ୍କୁ ଘେନି ବ୍ରହ୍ମା ଯୋଗ ।

ଆପଣ ବିଜେ କରିବେ ପତ୍ନୀ ସଙ୍ଗେ ଘେନି

ଆସିବ ପୁଷ୍ପକ ପେଶିଦେବେ ପଦ୍ମଯୋନି ।

ଏରୂପେ ଜଟିଳ ଋଷି କହନ୍ତେ ବଚନ

ରାଜାଙ୍କୁ ମିଳିଲା କହୁଁ କହୁଁ ମାୟାମାନ ।

ଦେବଙ୍କର ରଥ ପ୍ରାୟେ ଦିଶେ ମହାଜ୍ୟୋତି

ଚାହିଁଲେ ପଡ଼ିବ ମୋହ ହୋଇ ସୁରପତି ।

ନାନାଦି ଚିତ୍ରରେ କମ ଦିଶେ ପରିରମ୍ଭ

ଯେତେ ମନାସିଲେ ତେତେ ହୁଅଇ ସେ ଲମ୍ବ

ଅରୁଣ ଜ୍ୟୋତି ପରାୟ ଦିଶେ ତାର ଆଭା

ଧାଡ଼ି ଧାଡ଼ି ସ୍ଵର୍ଣ୍ଣ ପ୍ରକାଶଇ ଜ୍ୟୋତି ଶୋଭା ।

ମାଣିକ୍ୟର ମୋତିମାଳ ଲମ୍ବେ କେରା କେରା

ନୀଳଜୀମୂତି ପରାୟ ଦିଶେ ବଡ଼ ତୋରା ।

ସୁରଙ୍ଗ ପାଟପତନୀ ଉଡ଼େ ଫରଫର

ସବୁର୍ଣ୍ଣ କଳସମାନ ଦିଶେ ଶୋଭାକର ।

ଯେଣେ ପାଞ୍ଚିଲେ ଚଳଇ ତେଣେ ମାୟାରଥ

ସେ ରଥି ଦେଖି ବଲ୍ଲଭ ହେଲେ ଆଚମ୍ବିତ ।

ଅସୁର ରଥ ଏ ବୋଲି ନ ଜାଣେ ରାଜନ

ମନରେ ପାଞ୍ଚନ୍ତି ପ୍ରତ୍ୟକ୍ଷେ ଏ ଦେବଯାନ ।

ଆମ୍ଭେ ଭାଗ୍ୟବାନ ହେଲୁ ଲୋଡ଼ିବାରୁ ବ୍ରହ୍ମା

ଭଲା ଏ ପୁଷ୍ପକ ରଥ ଦେଖିଲୁ ମହିମା ।

କେଡ଼େ ଋଷି ପୁଣି ଆସିଛନ୍ତି ମୋତେ ନେଇ

ଏହାଠାରୁ ବେଶି ଭାଗ୍ୟ ଲୋଡ଼ିଲେ କି ପାଇ

ଯିବାକୁ କରନ୍ତେ ରାଜା ମନ ଉଦବେଗ

ଅନ୍ତର୍ଯ୍ୟାମୀ ପ୍ରଭୁ ତାହା ଜାଣିଲେ ନୃସିଂହ ।

ଭାଇଙ୍କି ସଙ୍ଗରେ ଧରି ବିଚାରିଲେ ହରି

ବୋଇଲେ ଆମ୍ଭ ପିତାଙ୍କୁ ନେଲା ଆଜ ଧରି ।

କପଟ ପାଞ୍ଚି ଦଇତ୍ୟ ଗଲା ଏହିକ୍ଷଣି

ବସାଇ ଆଣିବ ମାୟାରଥେ ରାଜା ରାଣୀ ।

ଆହେ କର୍ଣ୍ଣାଟଈଶ୍ଵର ହେ ସୁଜାଣି ମନ୍ତ୍ରୀ

ଆହେ ଗରୁଡ଼ ଶୁଣିମା ତୁମ୍ଭେ ତିନି କ୍ଷତ୍ରୀ ।

ନୃସିଂହଗଣଙ୍କୁ ଘେନି ଯୁଦ୍ଧେ ତୁମ୍ଭେ ଥାଅ

ଅସୁର ଲୁଚାଇ ମାରି ପଦା କରିଦିଅ ।

ଦାରୁଣ ଦଇତ୍ୟ ଆମ୍ଭ ନଗରକୁ ଗଲା

ଯତିବେଶ ଧରି ପିତା ଆଗେ ଦେଖାଦେଲା ।

ଆମ୍ଭେ ନ ଗଲେ କରିବ ଦୈତ୍ୟ ସିନା ମନ୍ଦ

ମାତା ପିତାଙ୍କୁ ପକାଇ ଦେବ କରି ଫାନ୍ଦ ।

ଶୁଣି ମନ୍ତ୍ରୀବର ଯୋଡ଼ିଲାକ ବେନି କର

ବିଜେକର ବୋଲି ଯୁଦ୍ଧେ ହେଲା ଆଗୁସାର ।

କର୍ଣ୍ଣାଟେଈଶ୍ଵର ନୃସିଂହଗଣ ସଙ୍ଗେ ଘେନି

ମହା ଘୋର ଯୁଦ୍ଧ କରି ମାଇଲେ ସଇନି ।

ଅସୁର ଧରିଣ ଧନୁ ଶର ବିନ୍ଧି ବାରୁ

ଡ଼େଇଁ ଗରୁଡ଼ ଧଇଲେ ତାହା ଖଣ୍ଡେଦୂରୁ ।

ସବୁରି ନାରାଚ କାଣ୍ଡ ଖଣ୍ଡ ଖଣ୍ଡ କରି

ଉଡ଼ିଲାକ ତିନିଲକ୍ଷ ଦୈତ୍ୟ ଆଣ୍ଟେ ଧରି ।

ପର୍ବତେ କଚାଡ଼ି ସମୁଦ୍ରକୁ ଦେଲା ଫିଙ୍ଗି

ଆବୋରି ରହିଲେ ଆଗେ ହରିଗଣ ଜଗି ।

ଏଥୁଅନ୍ତେ ଶ୍ରୀନୃସିଂହ ଶେଷ ବେନିଭାଇ

ନଗରକୁ ଗଲେ ଶତ୍ରୁ ନାଶିବାର ପାଇଁ ।

ନୃସିଂହ ଦ୍ଵାରେ ଯାଇଣ ପ୍ରବେଶ ହୁଅନ୍ତେ

ଦାରୁଣ ବୋଇଲା ରାଜା କାହାନ୍ତି ତୋ ସୁତେ ।

ବଲ୍ଲଭ ବୋଲେ ଶୁଣିମା ହେଉ ତପଚାରୀ

ମୁରସୁର ପାପୀ ମୋତେ ହୋଇଲା ଭଗାରି ।

ଅସୁର ସୈନ୍ୟ ଲୋଚାଏ ନିତି ନିତି ପେଷି

ତାଙ୍କୁ ମାରିମାରି ପୁତ୍ରେ ହେଲେଣି ମୋ କ୍ଳେଶୀ।

ଏ କଥା ଆପଣ ଆଗରୁ ତ ଜାଣିଥିବେ

ଆଣିଛି ଡକାଇ ତେବେ ପୁତ୍ରଙ୍କୁ ମୋ ଏବେ ।

ଆନନ୍ଦବନେ ମୋ ପୁତ୍ର ଥିବେ ସିନା ରହି

ଦୈତ୍ୟଙ୍କ ସଙ୍ଗେ ସମର ଲାଗିଥିବେ ଯାଇ ।

ମୃରାସୁର ସାନଭାଇ ଦାରୁଣ ଚାଣ୍ଡାଳ

ସେ ପୁଣି ଆଜି ଆସିଣ କରିଛି କନ୍ଦଳ ।

ସେ ଯୁଦ୍ଧ ଆଜକ ପଛେ ରଖାଇଣ ଦେବି

କୁମ୍ଭଙ୍କୁ ଆଣି ଦର୍ଶନ ଆଗ କରାଇବି ।

ଆପଣଙ୍କ ସଙ୍ଗେ ଆମେ ବ୍ରହ୍ମାପୁରେ ଯିବୁଁ

ଏଥୁ ଅଧିକ ଆଉ କି ଭାଗ୍ୟ ଅରଜିବୁ ।

ଶୁଣିଣ ଦାରୁଣ ଦୈତ୍ୟ ହଲାଇଲା ମୁଣ୍ଡ

ମନରେ ପାଞ୍ଚି ହୃଦରେ ହୁଅଇ ପ୍ରଚଣ୍ଡ ।

ବୋଇଲା ପ୍ରୀତି ହେବାର ସିନା ଏଥେ ସହ୍ୟ

ହାତେ ପଡ଼ିଲେ କରିବି ସିନା ସବୁ କାର୍ଯ୍ୟ ।

ପତି ପତ୍ନୀ ପୁତ୍ର ବୋହୂ ଚାରିଙ୍କି ଯେ ନେବି

ମୃରାସୁର ରାଜା ଆଗେ ଉଭା କରାଇବି

ବେନି ପୁତ୍ରଙ୍କର ଶିର ପକାଇବି ଛେଦି

ପିତା ମାତାଙ୍କୁ ଶୂଳିରେ ନେଇ ଦେବି ଲଦି ।

ଏରୂପେ ଜଟିଳ ହୃଦେ ପାଞ୍ଚନ୍ତେଣ ବସି

ଶ୍ରୀନୃସିଂହ ବେନିଭାଇ ପ୍ରବେଶିଲେ ଆସି ।

ଦେଖିଣ ମାୟା ତପସ୍ଵୀ ନିରେଖି ଚାହାନ୍ତେ

ଦେଖଲାକ ଶଙ୍ଖଚକ୍ର ଶୋହେ ବେନିହସ୍ତେ ।

ଅଷ୍ଟାଦଶ ଚିହ୍ନ ପୁଣି ଦେଖି ଗୋଟି ଗୋଟି

ଦେଖିଣ ଅସୁର ଚକ୍ଷୁ ରହିଲା ତରାଟି ।

ଦଣ୍ଡେ ପର୍ଯ୍ୟନ୍ତ ବସିଣ ମନରେ ପାଞ୍ଚିଲା

ହୃଦୟ ମଧ୍ୟରେ ଅତି ଭୟ ଜାତ ହେଲା ।

ବୋଇଲା ଜନ୍ମିଲା ବିପ୍ରକୁଳେ ଭାବଗ୍ରାହୀ

ଅବଶ୍ୟ ମୃତ୍ୟୁର ହାତେ ଦେବ ଆଜ ଏହି

ପୁଣିହିଁ ପାଞ୍ଚିଲା ଏହି ବିଷ୍ଣୁ ଯେବେ ହୋନ୍ତା

ମଥା ଉପରେ ସହସ୍ର ଫଣା ଦିଶୁଥାନ୍ତା ।

ତେବେ ବା ମୋତେ ମାରନ୍ତା ଏହି ଶିରୀବତ୍ସି

ଏ ବେନି ଭାଇଙ୍କଠାରେ ଚିହ୍ନ ନାହିଁ କିଛି ।

ଏ ମାନବ ବିଷ୍ଣୁ ସିନା ମୋର କି କରିବ

ଏହାଙ୍କୁ ନାଶିଲେ ଆମ୍ଭ କଳଙ୍କ ଛାଡ଼ିବ ।

ତଥାପି ହେଉ ନୋହୁ ଏ ଯିବି ଆଜ ଘେନି

ଏରୂପେ ମନରେ ପାଞ୍ଚେ ସେ ଜଟିଳ ମୁନି ।

ଦାରୁଣର ପାଞ୍ଚଯାକ ଜାଣି ଭଗବାନ

ପିତାଙ୍କ ଆଗେ ମିଳିଲେ ଆସି ଜନାର୍ଦ୍ଦନ ।

ପୁତ୍ରଙ୍କୁ ଦେଖିଣ ବାପ ମନେ ତୋଷ ହେଲେ

ମୁନିଙ୍କୁ ବସାଇ ରାଜା ଗୃହକୁ ଚଳିଲେ ।

ମିଳିଲେକ ପତ୍ନୀପାଶେ ପୁତ୍ର ସଙ୍ଗେ ଘେନି

ଦେଖି ପୁତ୍ରଙ୍କ ଆନନ୍ଦ ହେଲେ ମାତା ପୁଣି ।

ପୁତ୍ର ମୁଖେ ଚୁମ୍ବ ଦେଇ ଭଗବତୀ ମାଏ

ସ୍ଵାମୀ ମୁଖ ଚାହିଁ ଆନନ୍ଦିତ ଅପ୍ରମେୟେ ।

ବଲ୍ଲଭ ବୋଲେ ଶୁଣ ଗୋ ନୃସିଂହର ମାତା

ସ୍ଵର୍ଗରୁ ରଥେକ ପେଶିଛନ୍ତି ଆଜ ପିତା ।

ପୁତ୍ରଙ୍କୁ ସଙ୍ଗେ ଘେନିଣ ଚାଲ ଯିବା ବେଗେ

ଆସିଛନ୍ତି ଋଷି ଘେନି ଯିବାକୁ ହେ ସ୍ଵର୍ଗେ ।

ପତିର ଏ ବାକ୍ୟ ଶୁଣି ବେଶ ହେଲେ ରାଣୀ

ଖଞ୍ଜିଲେକ ଅଳଙ୍କାର ଦେହଯାକ ଆଣି ।

ବୋଇଲେକ କେଡ଼େ ଭାଗ୍ୟ ଅଟେ ଆଜ ମୋରମାନବ ଦେହେ ଦେଖିବା ଯାଇ ସ୍ଵର୍ଗପୁର।

ପିତା ମାତାଙ୍କର ମନ ଜାଣି ବ୍ରହ୍ମରାଶି

ଶୀଘ୍ରେଣ ଚଳନ୍ତୁ ବୋଲି ଦେଲେ ମାୟାପେଷି ।

ନଗ୍ରକୁ ଦୈତ୍ୟ ପଠାଇ ଯାଏ କିନା ପୁଣି

ଅଧିକ ଚଞ୍ଚଳମନ କଲେ ଚକ୍ରପାଣି ।

ଦେଖିବା ସ୍ଵର୍ଗ ବୋଲି ନୃସିଂହ ବାପମାଏ

ମିଳିଲେ ଜଟିଳ ଦୈତ୍ୟପାଶେ ଯାଇଁ ଦୁହେଁ ।

ପୁତ୍ରଙ୍କୁ ସଙ୍ଗେ ବଦ୍ରିକା ଦଣ୍ଡଧାରୀ ଧରି

ଋଷିଙ୍କ ପାଦରେ ଦଣ୍ଡ ପ୍ରଣାମ ଯେ କରି ।

ତା ଦେଖି କମ୍ପାନ୍ତି ଶେଷଦେବ ନିଜଦେହ

ନୃସିଂହ ବୋଇଲେ ଭାଇ କ୍ଷଣେ ଆଉ ରହ ।

ଏଠାକୁ ଗଲେ ଋଷିକି ଦେବା ପୂଜାବଳି

ଏ ରଥକୁ ଘେନି ଯାଆନ୍ତୁ ଶୀଘ୍ରେ ଏବେ ଚଳି।

ବୁଝିଲେ ଆଉ ଦଣ୍ଡେକ ଅଛି ସିନା ବତ୍ତ।

ଏ ରଥକୁ ଘେନି ଏବେ ଯାଉ ବେଗେ ଯତି

ବଦ୍ରିକା ନଗ୍ରଦାଣ୍ଡେ କି ରୂପେ ଦେବୀ ମାରି

ଅହିଂସା ଭୂମିଖଣ୍ଡିକ ଅଟେ ବଦ୍ରିପୁରୀ ।

ରଣସ୍ଥାନେ ଗଲେ ନିଶ୍ଚେ ମାରିଦେବା ଜାଣ

ଏରୂପେ ଭାଇଙ୍କୁ କହିଲେକ ନାରାୟଣ ।

କହନ୍ତେ ଠାରି ଶେଷକୁ ହେଲା ତାହା ଜଣା

ଆନକୁ ଏ ଅଗୋଚର ଅଟେ ଅକଳନା ।

ପାଞ୍ଚିଦୈତ୍ୟ ହେଲା ମୋର କାର୍ଯ୍ୟ ଏବେ ସିଦ୍ଧି

ନୃସିଂହ ମଲେ କରିବୁ ଭୋଗ ସବୁ ଆଧି ।

ସଚରାଚର ଯାକରେ ହେବୁ ଆମ୍ଭେ ପ୍ରଭୁ

ଏକଥା ପୂର୍ବରୁ ଲେଖିଅଛନ୍ତି ଆତ୍ମଭୁ ।

ଏତେକ ପାଞ୍ଚି ଦାରୁଣ ବଲ୍ଲଭକୁ ଚାହିଁ

ବୋଇଲା ରଥରେ ବସି ଯିବା ସଜହୋଇ ।

ଜଟିଳ ମୁନିର ମୁଖୁଁ ଶୁଣି ନୃପରାଜେ

ପତ୍ନୀ ପୁତ୍ର ଘେନି ଯାଇ ରଥେ କଲେ ବିଜେ ।

ମାୟା ଜଟିଳ ବସିଲା ରଥ ମଧ୍ୟେ ଯାଇ

ସେଠାରୁ ଗଗନେ ନେଲା ମାୟାଜାନ ବାହି ।

ମିଳନ୍ତେ ଧଇଲା ରଣସ୍ଥାନେ ନିଜ ମୂର୍ତ୍ତି

ହୋଇଲା ପ୍ରତ୍ୟକ୍ଷେ ସେହି ଅସୁର ଆକୃତି ।

ମହା ବିକଟାଳ ମୂର୍ତ୍ତି ହୋଇଣ ଦାରୁଣ

ରାଜାଙ୍କୁ ବୋଲଇ ଏବେ ମଲରେ ବ୍ରାହ୍ମଣ ।

ପୁତ୍ରଙ୍କୁ ମାରି ପେଷିବି ତୋତେ ସଂଞ୍ଜିବନୀ

ଶୂଳେ ବସାଇବି ଭଗବତୀକି ତୋ ଆଣି ।

ତୋତେ ମାରି ଦଳି ଦେବି ଦେହୁ ତୋର ମାଂସ

ଏତେକ ନ କଲେ ମୁଁ ନ ଯାଇ ଭାଇ ପାଶ ।

ଏଥିଉତ୍ତାରେ ଦାରୁଣ ଦୈତ୍ୟ ସେନାମାନେ

ନୃସିଂହ ମାତାଙ୍କୁ ଦେଖି ଧାଇଁ ହତଜ୍ଞାନେ ।

ଦାରୁଣ ଛାମୁରେ ଆସି ହୋଇଲେ ପ୍ରବେଶ

ବୋଇଲେ ଏହାଙ୍କୁ ନେବା ଧରି ରାଜା ପାଶ ।

ବ୍ରାହ୍ମଣ ଲୁଚାଏ ଆଉ ମାରିବା କିମ୍ପାଇଁ

ବୃକ୍ଷକୁ ହାଣିଲେ ମୂଳ ଡ଼ାଳେ କିସ ଥାଇ ।

ମୁର ରାଜାର ପାଶରେ ନେଇ ଦେଖାଇବା

ତହିଁ ଉତ୍ତାରୁ ଏହାଙ୍କୁ ଶୂଳେ ବସାଇବା ।

ଏରୂପେ ବୋଲି ବାହାନ୍ତେ ଦୈତ୍ୟ ମାୟା ରଥ

ତହୁଁ ତିଳାର୍ଦ୍ଧେ ଘୁଞ୍ଚାଇ ନ ପାରିଲେ ରଥ ।

ନିର୍ମାୟା ପୁରୁଷ ଯହୁଁ ରଥେ ଛନ୍ତି ରହି

ତେଣୁ ସେ ମାୟାରଥ ନ ପାରେ ତହିଁ ଯାଇ ।

ଦୈତ୍ୟ ମାୟାଠାରୁ ପ୍ରଭୁମାୟା ବଳିଗଲା

ତେଣୁ ସେ ରଥ ଘୁଞ୍ଚାଇ ତିଳେ ନ ପାରିଲା

ଶୁଣ ନାରଦ ବିଷ୍ଣୁର ମହିମା ଯେ ଏଡ଼େ ।

ଦୈତ୍ୟକୁ ଦେଖିଣ ବଲ୍ଲଭ ଯେ ଡକାପାଡ଼େ

କହନ୍ତି ଯେ ନୃସିଂହଙ୍କୁ ଚାହିଁ ତାତ ମାତ

ବୋଲନ୍ତି ଅଖଡ଼େ ଆସି ହରାଇଲୁ ସୁତ ।

ଆସିଲୁ ବଦ୍ରିକା ନଗ୍ର ଛାଡ଼ି ପୁତ୍ର ଘେନି

ଅସୁର ହାତେ ପଡ଼ିଲୁ ଏବେ ଚାରିପ୍ରାଣୀ ।

ଦୈତ୍ୟ ସମୁଦ୍ରେ ପୁତ୍ରଙ୍କୁ ଆଣି ମେଲିଲଇଁ

ଆହା ବିଧାତା ମୋତେ ଏ କଥା ଥିଲୁ ଲିହି ।

ଭୋ ଧର୍ମ ପୁରୁଷ ମୋତେ ରକ୍ଷାକର ଏଥୁ

ମରିବୁ ପଛେ ଆମ୍ଭେ ମୋ ପୁତ୍ରେ ସୁଖେ ଥାନ୍ତୁ ।

ଆମ୍ଭେ ବେନି ପ୍ରାଣୀ ସୃଷ୍ଟି ମଧ୍ୟେ ବଡ଼ ଦୁଃଖୀ

ବୁଝିଲେ ପୁତ୍ର ଅଟନ୍ତି ମୋର ବେନି ଆଖି ।

କେବଣ ପୁରୁଷ ମୋତେ କଲା ଏଡ଼େ ବାଇ

ଅଇଲୁ କି ସ୍ଵର୍ଗ ଦେଖିବାକୁ ବ୍ୟର୍ଥେ ଧାଇଁ ।

ସ୍ଵର୍ଗକୁ ଯେ ଯାଉଁ ଯାଉଁ ସରିଲାକ ଲଟ

କେଡ଼େ କପଟ କରିଣ ଆଣିଲା ରେ ନଷ୍ଟ ।

ଭୋ ଧର୍ମଦେବ ପ୍ରତ୍ୟକ୍ଷେ ତୁମ୍ଭେଯେବେ ସତ୍ୟ

ମୋହର ପୁତ୍ରଙ୍କ ହାତେ ମରୁ ପାପୀ ଦୈତ୍ୟ ।

ମୁଁ ଯେବେ ଅଗ୍ନି ଗର୍ଭରୁ ହୋଇଛି ଉତ୍ପତ୍ତି

ଏ ମୋର ବାକ୍ୟ ତୋତେ ଫଳୁ ମାୟାଗତି ।

ଏରୂପେ ପିତା ଜନନୀ କରନ୍ତି କାରୁଣ୍ୟ

ଏଥୁ ଅନନ୍ତରେ ମୁନି ନାରଦ ହେ ଶୁଣ ।

ଅନ୍ତର୍ଯ୍ୟାମୀ ପୁରୁଷ ତା ଜାଣି ଆଦିମୂଳ

ହୃଦରେ ପାଞ୍ଚିଲେ ମାତା ପିତାଙ୍କ ବିକଳ ।

ପିଅର ଜନନୀ ଶୋକ ନ ପାରିଲେ ସହି

ଶେଷକୁ କହିଲେ ଠାରି ପ୍ରଭୁ ଭାବଗ୍ରାହୀ ।

ରଥରୁ ତୁ ଅସୁରକୁ ଧରି ପଡ଼ ତଳେ

ଆମ୍ଭେ ବସିଅଛୁ ମାତା ପିତାଙ୍କର କୋଳେ ।

ଏରୂପେ କହିଲେ ଠାରି ଯହୁଁ ଭଗବାନ

ଜାଣିଣ ଉଲ୍ଲାସ କଲେ ଶେଷଦେବ ମନ ।

ଭେଳିକୁ ବାଘ ଯେସନେ ଝାମ୍ପେ ଗିଳିବାକୁ

ସେରୂପେ ସେ ଶେଷଦେବ ଧରି ଅସୁରକୁ ।

କ୍ରୋଧେ ଝିଙ୍କି ପ୍ରଭୁ ଧରିଲେକ ତାରବାଳ

ଦୈତ୍ୟକୁ ଓଟାରି ଖସି ପଡ଼ିଲେକ ତଳ ।

ରଥରୁ ପଡ଼ି ସେ ଦୈତ୍ୟ ନୋହିଲା ବିନାଶ

ଅନନ୍ତ ଅଙ୍ଗେ ପିଟିଲା ଆଣି ଲୌହପାଶ ।

ତହିଁକି ନ ମାନି ସେ ନୃସିଂହ ସାନଭାଇ

ପିଟିଲେ ଅସିର ଅଙ୍ଗେ ବଜ୍ରଶର ନେଇ

ଶର ବାଜନ୍ତେ ଅସୁର ଉଠିଣ ହସଇ

ବୋଲେ ନପାରୁ ମୋତରେ ନୃସିଂହ ଭାଇ ।

ବ୍ରହ୍ମଶର ପେଷିଲେକ ଶେଷଦେବ ପୁଣି

ବାଜନ୍ତେ ହସ୍ତରେ ଆଡ଼ି ଦେଲା ଦୈତ୍ୟଟାଣି ।

ଦେଖି ତାହା ଚମତ୍କାର ହେଲେ ଈଳାସାଇଁ

ବାବଲ ଶର ବିନ୍ଧିଲେ ବ୍ୟଗ୍ରେ ଧରି ନେଇ ।

ସେ ଶର ବାଜନ୍ତେ ଦୈତ୍ୟ ଆଡ଼ି ଦେଲା ଦେହ

ହସ୍ତରେ ନିଶ ମୋଡ଼ିଣ ହସେ ଟହ ଟହ ।

ବୋଇଲାରେ ବ୍ରାହ୍ମଣ ତୋ ଜନ୍ମେ ଭଲା ଭଲା

ବ୍ରାହ୍ମଣ କୁଳେ ଜନ୍ମିବୁ ଏଡ଼େ ଅନର୍ଗଳା ।

ଧନ୍ୟ ତୋର ପିତାମାତା ଧନ୍ୟ ବଳବୀର୍ଯ୍ୟ

ଏଥର ପ୍ରାଣ ଘେନିବି ତୋର ନିଶ୍ଚଳ ଆଜ ।

ଏ ବ୍ରହ୍ମଶକ୍ତି ସମ୍ଭାଳି ତୁହି ଯେବେ ପାରୁ

ତେବେ ଜାଣିବି ତୁ ଅଟୁ ବ୍ରହ୍ମାଣ୍ଡର ଗୁରୁ ।

ଏରୂପେ ବୋଲି ଦଇତ୍ୟ ଧଇଲେକ ଶକ୍ତି

ସେ ବ୍ରହ୍ମଶକ୍ତିର ନାମ ଅଟେ ବ୍ରହ୍ମମୂର୍ତ୍ତି ।

ଧନୁରେ ଯୋଚି ବିନ୍ଧନ୍ତେ ଟାଣି ଦୈତ୍ୟବୀର

ପଡ଼ିଲେ ଚମକି ତହିଁ ଥିଲେ ଯେତେ ନର

ଦେବ ଆଦି ଦଶଦିଗ ବ୍ରହ୍ମ କୀଟ ଯାଏ

ସମସ୍ତେ ଚମକିପଡ଼ି ଗଲେ ଠାଏଁ ଠାଏଁ ।

ସମର ସ୍ଥାନେ ଥିଲେଟି ଯେ ନୃସିଂହଗଣେ

ଚମକି ସେମାନେ ପଡ଼ିଲେକ ଜଣେ ଜଣେ ।

ତା ଦେଖି କର୍ଣ୍ଣାଟେଶ୍ଵର ହୋଇଲେ ବିକଳ

ବୋଇଲେ ସୁଜାଣ ମନ୍ତ୍ରୀ କିକଲା ଚଣ୍ଡାଳ ।

ଗରୁଡ଼ ବୋଲେ ଅନ୍ୟାୟ କଲାକ ଏ ପାପୀ

ମାରିବ କାହାକୁ ଦୈତ୍ୟ ହୋଇ ମହାକୋପୀ ।

ନୃସିଂହ ପ୍ରଭୁଙ୍କୁ ଏ ନ ପାରେ କେବେ ମାରି

କାହାକୁ ମାରିବ ଏ ଚଣ୍ଡାଳ ଅମରାରି ।

ନୃସିଂହ ବିନା ଏହା ନ ପାରେ କେହି ରଖି

ଏ ରୂପେ ପାଞ୍ଚି ଚିନ୍ତିଲା ପକ୍ଷୀ ପଦ୍ମ ଆଖି ।

ଗରୁଡ଼ ଚିନ୍ତିବା ଜାଣିଲେକ ଭଗବାନ

ତକ୍ଷଣେ ହସ୍ତରୁ ପେଷିଦେଲେ ସୁଦର୍ଶନ ।

ଚକ୍ରକୁ ବୋଇଲେ ତୁହି ବେଗେ ଚଳିଯିବୁ

ବ୍ରହ୍ମଶକ୍ତି ଆଗରେ ମୋ ଆଜ୍ଞା ପ୍ରକାଶିବୁ ।

ଦୈତ୍ୟ ବିନ୍ଧୁଛି ଭାଇକି ମୋର ମାରିବାକୁ

ଏ ଅବତାରେ ମାରି ନ ପାରେ କେବେ ତାକୁ ।

ଏ ଅବତାରେ ଦାରୁଣ ମୁର ମରିଯାଇ

ତ୍ରେତା ଯୁଗରେ ରାବଣ ହେବେ ବେନିଭାଇ ।

ସେ ଯୁଗେ ଜନ୍ମିବୁ ଆମେ ଦଶରଥ ଘରେ

ରାମ ଲକ୍ଷ୍ମଣ ହୋଇବୁ ପୁର ଅଯୋଧ୍ୟାରେ ।

ପିତାଙ୍କର ସତ୍ୟପାଳି ବନେ ଆମ୍ଭେ ଯିବୁ

ଦଣ୍ଡକାରଣ୍ୟରେ ପୁଣି ଜାୟା ହରାଇବୁ ।

ରାବଣ ଆସି ଚୋରାଇ ନେବ ମୋର ପ୍ରିୟା

ଋକ୍ଷ କପିବଳ ଧରି ଯିବି ସୁବଳୟା ।

ରାବଣ ଭାଇ ପୁତ୍ରଙ୍କୁ ସହୁ ଦେବି ମାରି

ସେ କୋପେ ଆସିବ ଦଶଗ୍ରୀବ ଯୁଦ୍ଧ କରି ।

ସମର କରୁ କରୁ ସେ ଧରି ବ୍ରହ୍ମଶକ୍ତି

ଲକ୍ଷ୍ମଣଙ୍କୁ ମାରି ଚଳିଯିବ ଲଙ୍କପତି ।

ସେ ଶକ୍ତି ଯାଇ ସୌମିତ୍ରୀ ବୁକୁରେ ପଡ଼ିବ

ପାତାଳ ପର୍ଯ୍ୟନ୍ତେ ଗଳି ମାଡ଼ିଣ ବସିବ ।

ଜାମ୍ବବର ବୁଦ୍ଧିବଳେ ବର୍ତ୍ତିବ ମୋ ଭାଇ

ହନୁ ହସ୍ତରେ ଔଷଧି ଆଣିବେ ବୁହାଇ ।

ନାକେ ଦୋରୁଅ ପକାନ୍ତେ ଉଠିବ ସୌମିତ୍ରୀ

ଏ କଥା ପୂର୍ବରୁ ଲେଖିଅଛି ବେଦପତି ।

ଏ ରୂପେ ସେ ବ୍ରହ୍ମଶକ୍ତି ପୁରୁଷକୁ କହି

ତୁ ଯାଇ ଆସିବୁ ସୁଦର୍ଶନ ଶୀଘ୍ର ହୋଇ ।

ଶୁଣି ସୁଦର୍ଶନଚକ୍ର ବ୍ୟଗ୍ରେ ଗଲା ଚଳି

ଶକ୍ତି କର୍ଣ୍ଣପାଶେ କହିଲାକ ଆଜ୍ଞା ପାଳି ।

ବିଷ୍ଣୁର ଆଜ୍ଞା କହନ୍ତେ ଯାଇ କର୍ଣ୍ଣମୂଳେ

ଶୁଣିଣ ସେ ଶକ୍ତି ଶାନ୍ତ ହୋଇଲା ତତ୍କାଳେ ।

ବୋଇଲାକ ବ୍ରହ୍ମଶକ୍ତି ଶୁଣ ସୁଦର୍ଶନ

ତୁମ୍ଭେ ଆମ୍ଭେ ଦୁହେଁ ଅଣବାହୁଡ଼ା ତ ଜାଣ ।

ଉତ୍ପାତ ଲୋକଙ୍କୁ ଆମ୍ଭେ ପେଷିଲେ ଯେ ମାରି

ଅଣବାହୁଡ଼ା ନିନ୍ଦାକୁ ଘେନି ଆମ୍ଭେ ଡରି ।

ଚକ୍ର ବୋଇଲେ ଆମ୍ଭର ଆଜ୍ଞା ଏକା ମୂଳ

ନମାନି ତୁ ଦୈତ୍ୟ କଥା ବ୍ରହ୍ମାପୁରେ ଚଳ ।

ଆଜହୁଁ ନିଶ୍ଚିନ୍ତ ହୋଇ ତ୍ରେତାଯାଏ ଥାଅ

ବିଷ୍ଣୁଙ୍କୁ ନିନ୍ଦିବାକୁ କେ ଅଛି ମୋତେ କହ ।

ଆହେ ସୁଦର୍ଶନ ତୁମ୍ଭେ ଅଟ ବ୍ରହ୍ମଶକ୍ତି

ଆମ୍ଭହୁଁ ସହସ୍ରଗୁଣେ ଗରୁଡ଼ ଯେ ଯତି ।

ବିଷ୍ଣୁର ବାହନ ସେହି ସବୁକାଳେ ଅଟେ

ସୁଦର୍ଶନ ଚକ୍ରେ ତାଙ୍କୁ ମାଇଲେ ନ କାଟେ ।

ସହସ୍ରେକ ବ୍ରହ୍ମଶକ୍ତି ପିଟିଲେକ ନେଇ

ତିଳାର୍ଦ୍ଧେତା ଲୋମବାଙ୍କ କେବେହେ ନ ହୋଇ।

ମନ କଲେ ପୃଥ୍ଵୀଯାକ ପାରେ ସେହୁ ଗିଳି

ବିଷ୍ଣୁ ଆଜ୍ଞା ନୋହିଲେ ନଯାଏ ପାଦେ ଚାଲି ।

ଏମନ୍ତ ଗରୁଡ଼କୁ ଯେ ବାହନଟି କରି

ବିଷ୍ଣୁଙ୍କୁ ଏ ଅବତାରେ ନପାରେ କେ ମାରି ।

ଶୁଣିଣ ସେ ବ୍ରହ୍ମଶକ୍ତି ମନେ ଶ୍ରଦ୍ଧା ହେଲା

ପ୍ରମାଣ ଏ କଥା ବୋଲି ମନେ ବିଚାରିଲା ।

ଚକ୍ରକୁ ବୋଲେ ଆପଣ ତେବେ ବିଜେ କର

ବୁଝିଲେ ବିଷ୍ଣୁର ଆମ୍ଭେ ଦୁହେଁ ପରିଚାର ।

ଆପଣ କି କହିବେ ତା ଶୁଣିବାଟି ସିନା

ନିସ୍ତରିଲି ଶୁଣି ଏବେ ନୃସିଂହ ମହିମା ।

ଶୁଣିବା କ୍ଷଣି ବ୍ରହ୍ମାଙ୍କ ପୁରେ ଆମ୍ଭେ ଯିବୁ

ଏ ରୂପରେ ଆଜ୍ଞା ଦେଇ ଅଛନ୍ତି ସେ ପ୍ରଭୁ ।

ଶୁଣି ସୁଦର୍ଶନ ଚଳିଗଲେ କ୍ଷଣେ ମାତ୍ରେ

ପ୍ରବେଶ ହେଲେ ନୃସିଂହ ପ୍ରଭୁ କରପତ୍ରେ ।

ବଦନ୍ତି ବେଦବ୍ରହ୍ମା ଶୁଣ ହେ ନାରଦ

ନୃସିଂହ ପୁରାଣ ଏହୁ ଅଟେ ମୋକ୍ଷପ୍ରଦ ।

ବ୍ରହ୍ମଶକ୍ତିକୁ ଧରିଣ ବିନ୍ଧନ୍ତେ ଦାରୁଣ

ସୂର୍ଯ୍ୟର ଜ୍ୟୋତି ପରାୟେ ଦିଶିଲା କିରଣ ।

ବିଷ୍ଣୁ ଆଜ୍ଞା ଶୁଣି ଚଳିଗଲା ଅନ୍ତରୀକ୍ଷେ

ବ୍ରହ୍ମାଙ୍କପୁରେ ରହିଲା ଯାଇ ଶକ୍ତି ସୁଖେ ।

ସେ ଶକ୍ତିର ତେଜ ଦେଖି ବଲ୍ଲଭଙ୍କ ନାରୀ

ବୋଇଲା ପୁତ୍ରଙ୍କୁ ମୋର ଗଲା ବ୍ୟର୍ଥେ ମାରି ।

ଆହା ମୋର ପୋଏ ବୋଲି କରୁଥାଏ ଶୋକ

କି ସ୍ଵର୍ଗ ଦେଖିବି ବୋଲି ହେଲି ଅବିବେକ ।

ଆଉ କି ବର୍ତ୍ତିଯିବୁ ଏ ପୁତ୍ରକୁ ଘେନିଣ

କେତେ ବ୍ରହ୍ମଶକ୍ତି ପେଶି ଦେଲା ଯାତୁଧାନ ।

ନୃସିଂହ ବୋଇଲେ ମା ନ କର କିଛି ଶୋକ

ମାରିବି ଦୈତ୍ୟକୁ ଏହିକ୍ଷଣି ଶେଷ ଦେଖ ।

ଆମ୍ଭେ ବେନିଭାଇ ସାକ୍ଷାତରେ ବିଷ୍ଣୁଜାଣ

ନ ଚିହ୍ନି ଶୋକ କରୁଛ ତୁମ୍ଭେ ଅକାରଣ

ଏ ମୁର ଦାରୁଣ ପାଇଁ ହୋଇଅଛୁ ଜାତ

ମାରିବେକ ଶେଷ ଆଗୋ ଏ ଦାରୁଣ ଦୈତ୍ୟ ।

ପଛନ୍ତେ ମୁହିଁ ମାରିବି ଯାଇ ମୃରାସୁର

ଏହି ନିମନ୍ତେ ହୋଇଛୁ ଆମ୍ଭେ ଅବତାର

ମାରିବୁ ଅସୁର ବଳଯାକ ଏହିଲାଗେ

ଦେଖି ଶ୍ରୀନୃସିଂହଗଣ ପୂରିଛନ୍ତି ସଙ୍ଗେ ।

କର୍ଣ୍ଣାଟେଶ୍ଵର ରାଜନ ଏ ସୁଜାଣ ମନ୍ତ୍ରୀ

ଆବର ସମରେ ଅଛି ଗରୁଡ଼ ଯେ ପକ୍ଷୀ ।

ମନକୁ ନ ଆସିଲେ ଗୋ ଦେଖ ବେନିଡୋଳେ

ଏରୂପେ କହି କୃତିହା ହରି ଜାତ କଲେ ।

ତାହାଙ୍କୁ ବୋଇଲେ ତୁମ୍ଭେ ଅସୁରଙ୍କୁ ମାର

ଶୁଣ ନାରଦ କହନ୍ତି ପ୍ରଭୁ ବେଦବର ।

କୃତିହା ଜାତ ହୁଅନ୍ତେ ନୃସିଂହ ସେ ହେଲା

ଅଥର୍ବେଦ ଥାଇ ତାହା ବ୍ରହ୍ମନିଯୋଜିଲା ।

ଶ୍ରୀନୃସିଂହ ମନ୍ତ୍ର ସ୍ତୋତ୍ର ନୃସିଂହ କବଚ

ନୃସିଂହ ଅର୍ଗଳ ଆଦି ନୃସିଂହ ନାରାଚ ।

ନୃସିଂହ ଜଣାଣ ଯେ ନୃସିଂହ ଋଷିଛନ୍ଦ

ନୃସିଂହ ଧ୍ୟାନପୂଜା ପ୍ରକାଶେ ଚାରିବେଦ ।

ନୃସିଂହ ସହସ୍ର ନାମ ନୃସିଂହ ତିହଡ଼ା

ବ୍ରାହ୍ମଣକ୍ରୁଳେ ସମସ୍ତ ଏକ କରି ପଡ଼ା ।

ଶ୍ରୀନୃସିଂହ ତଳେ ଥାଇ ସମସ୍ତ ଦେବତା

ଶ୍ରୀନୃସିଂହଙ୍କୁ ଇଷ୍ଟ କରି ଭଜନ୍ତି ବିଧାତା ।

ଦୁର୍ଗାଙ୍କ ସେବା କଲେ ଈଶ୍ଵରଙ୍କୁ ପାଇ

ଈଶ୍ଵର ସେବିଲେ ନୃସିଂହ ସୁପ୍ରସନ୍ନ ହୋଇ ।

ବିଷ୍ଣୁ ସେବିଲେ ନୃସିଂହ ପ୍ରସନ୍ନ ହୋଇଟି

ନୃସିଂହ ପରେ ଆଉ ନାହିଁ ଦେବ ସୃଷ୍ଟି ।

ଏଣୁ ବ୍ରହ୍ମ ଅଟେ ଶ୍ରୀନୃସିଂହ ଉପାସକ

ଶୁଣି ତେଣେ କୃତିହା ପୁରୁଷ ବିଷ୍ଣୁ ବାକ୍ୟ ।

ପଞ୍ଚଦଶ ଅନଳ ପ୍ରକାଶ ତାରା ଦେହୀ

କ୍ରୋଟାନଳ କାଳାନଳ ବର୍ଣ୍ଣାନଳ କହି ।

ଜାତ ଅନଳ ପିଙ୍ଗଳାନଳ ଜ୍ଵାଳା ଘେନି

ବଡ଼ବାନଳ ପ୍ରଳୟ ରୁଦ୍ରାନଳ ଅଗ୍ନି ।

ପ୍ରଚଣ୍ଡାନଳ କ୍ରୋଟରାନଳ ଘୋରାନଳ

ଚିତାନଳ ଦାବାନଳ ଦହନାଗ୍ନି ବଳ ।

ଏହି ପଞ୍ଚଦଶ କୃତିହାର ମୁଖ ଅଟେ

କ୍ଷଣକେ ମନେକଲେ ଏ ପୃଥ୍ଵୀଯାକ ଘୋଟେ ।

ବୋଇଲେତ କୃତିହାକୁ ଅସୁରଙ୍କୁ ଗ୍ରାସ

ଦେଖି ଜନନୀ ମୋହର ହୁଅନ୍ତୁ ସନ୍ତୋଷ ।

ସେ କୃତିହା ଆଜ୍ଞାପାଇ ଦେଲେ ଘୋର ରଡ଼ି

ଅସୁର ବଳକୁ ବସିଲେକ ଯାଇ ମାଡ଼ି ।

ଯୋଜନେକ ପରିଯନ୍ତେ ବିସ୍ତାରିଲେ ତୁଣ୍ଡ

ଗିଳିଲେକ ଲକ୍ଷକୋଟି ଦୈତ୍ୟଙ୍କର ମୁଣ୍ଡ ।

ପଡ଼ିଣ କ୍ରୋଟରାନଳେ ସର୍ବେ ଗଲେ ଜଳି

ସେ କୃତିହା ଭକ୍ଷିବାର ପାରିବ କେ କଳି ।

ବନସ୍ତ ପୋଡ଼ିଲା ପ୍ରାୟେ ଭକ୍ଷି ଦୈତ୍ୟ ଆଣି

ସେହି ପଞ୍ଚଦଶ ମୁଖ ଉଦୟ ସେକ୍ଷଣି ।

କେବଣ ମୁଖ ଗ୍ରାସଇ ଯେହ୍ନେ ଚନ୍ଦ୍ର ରାହୁ

କେବଣ ମୁଖ ଗ୍ରାସଇ ବାଟେ ଯାଉଁ ଯାଉଁ ।

କେବଣ ନୟନ ମୁଖେ ଦିଶେ ବିକଟାଳ

କେବଣ ମୁଖ ଦିଶଇ ରକ୍ତେ ଢଳଢଳ ।

କେବଣ ମୁଖ ଆକାଶଯାଏ ଊର୍ଦ୍ଧ୍ଵେ ଟେକେ

କେବଣ ମୁଖ ଯେ ଗିଳିଦିଏ ବେନି ଲକ୍ଷେ ।

ଯେବଣ ମୁଖରେ ଯେତେପଡ଼େ ତେତେ ଗିଳି

ପଡ଼ିଣ ଭସ୍ମ ହୁଅନ୍ତି ସେହୁ କ୍ରୋଟାନଳେ ।

ଯେତେ ଦୈତ୍ୟ ପଡ଼େ ଆଗେ ତେତେ ଯେ ଗ୍ରାସି ସବୁଙ୍କୁ ସେ ବିନାଶିବ ସଂଗ୍ରାମରେ ପଶି ।

ଅଗ୍ନିର ତେଜ ଲାଗିଣ ମରନ୍ତି ଯେ ପୋଡ଼ି

ଅସୁରେ ମଲେ କୃତିହା ଅଗ୍ନିମୁଖେ ପଡ଼ି ।

ସମର ଛାଡ଼ି ପଳାନ୍ତେ ଦୈତ୍ୟଗଣ ଭାଜି

ଦାରୁଣ ସେନା ଭାଜିଲେ ହୋଇ ଗଳଗାଜି ।

ଯେ ଯାହାର ସୈନ୍ୟ ଘେନି ନାରାଚକୁ ଧରି

ଧନୁରେ ଯୋଚି ବିନ୍ଧିଲେ ଦୈତ୍ୟ ଲକ୍ଷଚାରି ।

ନୃସିଂହଗଣ ମାରିବେ କଂସ ଅସୁରଙ୍କୁ

ନ ଅଟନ୍ତି ଦୈତ୍ୟଯାକ ଏକା କୃତିହାକୁ ।

ଜୀବନ୍ତ ସୈନ୍ୟ ଆଉ ଯେ ଥିଲେ ଯେତେ ରହି

ତାହାଙ୍କୁ ଘେନିଣ ଯୁଦ୍ଧ କରେ ଦୈତ୍ୟଯାଇ ।

ଠାକୁର ଆଜ୍ଞାରେ ବିହିଲେ ନୃସିଂହଗଣଙ୍କୁ

ବୋଇଲେ ମାରରେ ବ୍ୟଗ୍ରେ ଅସୁର ସୈନ୍ୟଙ୍କୁ।

ସାତକୋଟି ସେନାଙ୍କୁ ସେ ସପତ ନୃସିଂହ

ମାର ହୋ ବ୍ୟଗ୍ରରେ ଯାଇ କର ରଣ ଭଙ୍ଗ ।

ଦାରୁଣ ଦୈତ୍ୟଙ୍କୁ ଛାଡ଼ି ମାର ଆଉ ସର୍ବ

ତାହାକୁ ଏକା ମାରିବେ ଜାଣ ଶେଷଦେବ ।

ନୃସିଂହଗଣ ଧାଇଁଲେ ଅତି ବ୍ୟଗ୍ର ହୋଇ

ମାତାଙ୍କୁ ଦେଖନ୍ତି ଚମତ୍କାର ଭାବଗ୍ରାହୀ ।

ଜ୍ଵଳନ୍ତ ନୃସିଂହ ତୁଲେ ସାତଲକ୍ଷ ସୈନ୍ୟ

ଚଳିଲା ଧେନୁକାସୁର ରଣେ ଦେଇ ମନ ।

ଭୀଷଣ ନୃସିଂହ ତୁଲେ ଜଗି ଡେଙ୍ଗାସୁର

ଚାରୋଟି ସେନା ଘେନିଣ କଲା ରଣଘୋର ।

ସର୍ବତୋମୁଖ ବୋଲିଣ ଯେଉଁ ନରସିଂହ

ଚାରୋଟି ସେନା ଘେନି ସେ କଲା ରଣରଙ୍ଗ ।

ଏ ବିଧି ଦୈତ୍ୟ ନୃସିଂହଗଣଙ୍କର ତୁଲେ

ପ୍ରାଣଙ୍କୁ ମୂରୁଛି ତହିଁ ଯୁଦ୍ଧ ଯାଇ କଲେ ।

ବିନ୍ଧନ୍ତି ନାରାଚ ଦୈତ୍ୟେ କୁତୁହଳ କରି।

ତହିଁକି ନୃସିଂହଗଣେ ଦ୍ୱିଗୁଣେ ଯେ ମାରି।

ସପତ ନୃସିଂହଙ୍କୁ ସେ ସାତକ୍ଷୌଣୀ ସୈନ୍ୟ

ବିନ୍ଧନ୍ତ ନାରାଚ ଅନର୍ଯ୍ୟାପେ ଯାତୁଧାନ

ବରୁଣ ଅସ୍ତ୍ର ଧରିଣ ବିନ୍ଧନ୍ତେ ନୃସିଂହ

ଦେଖିଣ ସେ ଚାରିଦୈତ୍ୟ ପାତିଲେକ ଅଙ୍ଗ ।

ପଡ଼ିଣ ସେ ବେଦଅସ୍ତ୍ର ହେଲା ଖଣ୍ଡ ଖଣ୍ଡ

ଜ୍ଵାଳା ନୃସିଂହ ପିଟିଲେ ପୁଣି ଲୌହ ଖଣ୍ଡ ।

ତଥାପି ଅସୁରଗଣ ନ ମରିଲେ ଯହୁଁ

ନୃସିଂହ ବ୍ରହ୍ମ ଶକତି ପିଟିଲେକ ତହୁଁ ।

ସେ ଶକ୍ତି ବାଜନ୍ତେ କମ୍ପିଗଲା ମହୀସ୍ଥଳି

ବୁକୁ ଫାଟିଣ ଶୋଣିତ ପଡ଼ିଲାକ ଗଳି

ସେ ଚାରିଙ୍କ ମୃତ୍ୟୁ ଦେଖି ଆଉ ଚାରି ସେନା

ଭାସ୍କର ଦୈତ୍ୟର ମୂଳେ ବୀରକାଳ ଯେନା ।

ଧାଇଁଲେ ମୁଦଗର ଗଦା ଶାବେଳିକୁ ଘେନି

ସର୍ବତୋ ମୁଖକୁ ଶୂଳ ପିଟିଲେକ ଅଣି ।

ନୃସିଂହ ସର୍ବତୋମୁଖ ଯେଉଁ ହରିନାମ

ଅସୁର ଛାର କି ତାକୁ ହୋଇବଟି ସମ ।

ଧନୁରେ ଯୋଚି ବିନ୍ଧନ୍ତେ ଶର କରେତୋଳି

ନୃସିଂହ ଅଙ୍ଗେ ବାଜି ସେ ହୋଇଗଲେ ଧୂଳି ।

ଝଲକ ବ୍ରହ୍ମାଣ୍ଡଯାକ ଦିଶିଲେ ବ୍ରହ୍ମାଗ୍ନି

କହିଲେ ନ ସରଇ ଏ ଯୁଦ୍ଧ ଘୋରଧ୍ଵନି ।

ବଦୟନ୍ତି ବେଦବ୍ରହ୍ମା ଶୁଣ ହେ ନାରଦ

ଆକାଶେ ଥାଇ ଦେଖିଲେ ତାହା ଦେବବୃନ୍ଦ ।

ଗଗନ ଘୋଟି ଧାଇଁଲେ ଦୈତ୍ୟବୀର ଚାରି

ଖଡ଼ଗ ଫଳା ଶାବେଳୀ କୁନ୍ତ କରେ ଧରି ।

ଦୈତ୍ୟଙ୍କର ମୂର୍ଖପଣ ଦେଖି ଦେବଲୋକ

ଡାକି ମାତିଳିକୁ କହିଲେକ ବୃନ୍ଦାରକେ ।

ନକରି ବିଳମ୍ବ ତୁହି ଏହିଲାଗେ ଯିବୁ

ଦୈତ୍ୟଙ୍କର ମୃତ୍ୟୁଭେଦ ପ୍ରଭୁଙ୍କୁ କହିବୁ ।

ଏହି ଚାରିଦୈତ୍ୟ ତପ କଲେ ପବନକୁ

ସେ ବର ମାଗିବା କଥା କହୁଁ ଆପଣଙ୍କୁ ।

ଦେହରୁ ସେ ମାଂସ କାଟି ଅନଳେ ପକାନ୍ତେ

ତପସ୍ୟାବଳୁ କଅଁଳେ ମାଂସ ଅନୁବ୍ରତେ ।

ବରଷ ଅଶୀଏ ଯାଏ ତପ କଲେ ବସି

ତେବେ ପବନ ତାଙ୍କୁ ନଦେଲେ ଦେଖାଆସି ।

ପୁଣିହିଁ ସେ ମାଂସକାଟି ପକାନ୍ତେ ଅନଳେ

ଏଣେ କାଟନ୍ତେ ଯେ ତେଣେ କଅଁଳ ତତ୍କାଳେ ।

ଯେ ଯାହାର ମାଂସ ପୋଡ଼ି ଆପେ ଭୁଞ୍ଜିଦ୍ୟନ୍ତି

ତେବେହେଁ ପବନକୁ ସେ ଭେଟ ନ ପାବନ୍ତି ।

ମୈଥୁନ ନିଦ୍ରା ଆହାର ଦେଲେ ପୁଣି ଛାଡ଼ି

ଶୋଇଲେ ଅନଳ ଶଯ୍ୟାକରି ତହିଁ ପାଡ଼ି ।

ଉପରେ ସୂର୍ଯ୍ୟର ତେଜ ତଳେ ଅଗ୍ନିତେଜ

ଏରୂପେ କାଷ୍ଠା କରି ପଡ଼ନ୍ତେ ଦନୁଜ ।

ପବନ ଦେଖିଣ ତାହା ସହି ନ ପାରିଲେ।

ଦୈତ୍ୟଙ୍କ ଅମୃତ ଆଣି ବରଷିଲେ।

ଅମୃତ ପାଇଣ ଦୈତ୍ୟେ ଉଠିଲେ ତତ୍ପରେ।

ମରୁତେ ବୋଇଲେ ବର ମାଗରେ ଅସୁରେ।

ଅସୁର ବୋଇଲେ ସ୍ଵାମୀ ଦେବୁ ଯେବେ ବର

ତୋର ଥିବାଯାକ ଆମ୍ଭେ ହୋଇବୁ ଅମର ।

ତୁହି ମଲାଦିନ ଆମ୍ଭେ ନିଶ୍ଚୟ ମରିବୁ

ଆମ୍ଭଙ୍କୁ ତ ସ୍ଵାମୀ ଏହି ବର ଦେଇଯିବୁ ।

ଆପଣ ମଲାରୁ ମରିଯିବେ ସର୍ବଜୀବ

କାହା ନାସାରେ ପବନ ଜାଣ ନ ରହିବ ।

ତୁ ମଲେ ମରିବୁ ଆମ୍ଭେ ନିଶ୍ଚେ ଏହା ଜାଣ

ଆମ୍ଭଙ୍କୁ ୟେ ଏହିବର ଦିଅ ପଞ୍ଚପ୍ରାଣ ।

ମରୁତ ଦେବତା ଶୁଣି ଅସ୍ତୁ ଅସ୍ତୁ କଲେ

ତୁମ୍ଭଙ୍କୁ ଏ ବର ପ୍ରାପ୍ତ ହୋଇବ ବୋଇଲେ ।

ଏ ରୂପେ ବର ଦେଇଣ ଗଲେ ଅନ୍ତର୍ଦ୍ଧାନେ

ତୁ ଏବ କହ ସର୍ବତୋମୁଖ ବେନି କର୍ଣ୍ଣେ ।

ଶୁଣିଣ ମାତଳି ତାହା ଶୀଘ୍ରେ ଗଲା ଚଳି

ସର୍ବତୋମୁଖରେ ଆଗେ କହିଲା ସେ ମିଳି ।

ବୋଇଲା ଶୁଣିମା ପ୍ରଭୁ ହେ ସର୍ବତୋମୁଖ

ଏ ରୂପେ କହି ପେଷିଲେ ମୋତେ ବୃନ୍ଦାରକ ।

ଦୈତ୍ୟଙ୍କର ମୃତ୍ୟୁଭେଦ ଏ ରୂପରେ ଜାଣି

ଗିଳିଲେ ସେ ପବନକୁ ମରିବେ ଏକ୍ଷଣି ।

ଏହା କହି ମାତଳି ଯେ ଗଲା ସ୍ଵର୍ଗସ୍ଥାନେ

ଶୁଣିଣ ସର୍ବତୋମୁଖ ରଖିଲେ ତା ମନେ ।

ଶରୀର କୋପ ବହିଣ ଛାଡ଼ି ଘୋର ରଡ଼ି

ତହିଁର ରୂପେକ ଜାତ ହୋଇଲେ ବାହୁଡ଼ି ।

ରଡ଼ିର ଭିତରୁ ହୁଅନ୍ତେ ସେ ଆସି ଜନ୍ମ

ଶ୍ରୀମୃଗ ନୃସିଂହ ବୋଲି ଦେବେ ତା ନାମ ।

ତାହାକୁ ବୋଇଲେ ଗିଳ ତୁ ହୋ ପବନକୁ

ନ ବୁଝି କିମ୍ପା ବର ସେ ଦେଲେ ଅସୁରକୁ ।

ଦଣ୍ଡେହେଁ ପରିଯନ୍ତେ ତୁ ଗିଳି ରଖିଥିବୁ

ଦୈତ୍ୟ ମରିବା ଦେଖିଣ ତୁହି ଛାଡ଼ିଦେବୁ ।

ଶୁଣି ମୃଗନୃସିଂହ ଧାଇଁଲା କୋପଭରେ

ପଡ଼ିଲା ମରୁତପୁରେ ଯାଇଁ ଧାତିକାରେ ।

ଦେଖିଣ ସମୀର ତହୁଁ ପଳାଇଲା ଘୁଞ୍ଚି

ବ୍ରହ୍ମାଙ୍କ ପୁରେ ପବନ ରହେ ଯାଇ ଲୁଚି ।

ବ୍ରହ୍ମାଙ୍କୁ ବୋଲେ ସମ୍ଭାଳି ଏବେ ମୋତେ ରଖ

ଧାଇଁଅଛି ମୃଗସିଂହ ଗିଳିାବାକୁ ଦେଖ ।

କେବଣ ଦୋଷକୁ ଗିଳିବ ମୋକର ଦେହ

ଗିଳିଲେ ସଂସାରେ ସର୍ବେଯିବ ହୋଇ ମୋହ ।

କୀଟ ବ୍ରହ୍ମ ପରିଯନ୍ତେ ସର୍ବେ ଯିବେ ସରି

ଏଥିକି ବୁଦ୍ଧି କହିବା ମୋତେ କୁଶଧାରୀ ।

ବିଧାତା ବୋଇଲେ ତେବେ ଶୁଣ ପଞ୍ଚପ୍ରାଣ

ତୋତେ ଗିଳିଲେ ମରିବେ ଦୈତ୍ୟ ଚାରିଜଣ ।

ଆମ୍ଭେ ଏ ସଂସାରୁ ପଛେ ଦଣ୍ଡେ ଯିବୁ ମରି

ଅସୁର ମଲାରୁ ତୋତେ କାଢ଼ିବେ ଉଦଗାରି ।

ନୃସିଂହ ଗର୍ଭେ ଅସୁର ମଲାଯାଏ ଥାଅ

ତୁମ୍ଭର ଦେବାର ବର ହେବ କି ଅନ୍ୟାୟ ।

ଆପଣ ଗୋପ୍ୟ ହୋଇ ଯା ରହ ଦଣ୍ଡେ ଜାଣ

ଏ ରୂପେ କହି ବୋଧିଲେ ପିତା ପାଞ୍ଚପ୍ରାଣ ।

ବ୍ରହ୍ମାଙ୍କ ବାକ୍ୟରେ ଶାନ୍ତ ହେଲେ ଦିତିସୁତ

ପବନକୁ ଧରି ଗିଳି ଦେଲେକ ତ୍ୱରିତ ।

ବଦୟନ୍ତି ବେଦବ୍ରହ୍ମା ଶୁଣ ହେ ନାରଦ

ମିଳିଲେ ମୃଗନୃସିଂହ ଧରି ବନ ମଧ୍ୟ ।

ବର ଦେଇଥିବା ସକାଶରୁ ଦିତିଶିଷ୍ୟ

ଲୁଚିଣ ପଶି ରହିଲେ ଗର୍ଭେ ଅଣଚାଶ ।

ଯାହାକୁହିଁ ଚିଳଚୋପା ଅଟେ ବସୁନ୍ଧରୀ

ଦେଖ ସତ୍ୟ ପାଳି ଲୁଚିଲେକ ଦେହ ଧରି ।

ସାକ୍ଷାତେ ସେ ବ୍ରହ୍ମରୂପ ଦିତିଦେବୀ ବଳା

ଜଳରୁ ଶତେକ ଗୁଣେ ଯାନ୍ତି ଅନ୍ତର୍ଗଳା ।

ବୁଝିଲେ ପବନ ପାଣି ଅଟନ୍ତି ସେ ଏକ

ଶୀତଳ ପାରନ୍ତି ଶାନ୍ତିକର ପୃଥ୍ଵୀଯାକ ।

ଜଳ ପବନୁ ହୁଅନ୍ତି ପ୍ରାଣୀ ଆତଯାତ

ସେ କଥା ଚିହ୍ନି କେହି ନ ପାରେ କରି ତତ୍ତ୍ଵ ।

ମାତା ରଜ ପିତା ବୀର୍ଯ୍ୟ ନୁହଇକି ଜଳ

ସେ ଜଳ ମଧ୍ୟେ ପବନ ହୁଏ ଯାଇ ଠୁଳ ।

ଅଶେଷ ବ୍ରହ୍ମାଣ୍ଡ ମଧ୍ୟେ ବାୟୁ ପୂରିଥାଇ

କୀଟ ବ୍ରହ୍ମଯାଏ ନାସା ମଧ୍ୟେ ଉଦେହୋଇ ।

ଆତ୍ମାକୁ ଭୁଞ୍ଜାଇ ପୁଣି ଭୁଞ୍ଜେ ଅନୁକ୍ଷଣେ

କରଇ ସେ କ୍ରୀଡ଼ାରାତ୍ର ହଂସ ଯୋଗାଧ୍ୟାନେ ।

ପ୍ରାଣାଦି ପବନ ଘେନି ସର୍ବ ଜୀବ ହୃଦେ

ପ୍ରକାଶି ଅହୋରାତ୍ର ସେ ଚାଲେ ଏକପାଦେ ।

ସ୍ଵପ୍ନ ସୁଷୁପ୍ତି ଜାଗ୍ରତେ ପ୍ରକାଶଇ ଧ୍ଵନି

ବାସନା ଚିହ୍ନୁ ଥାଇ ସୁଗନ୍ଧ ଗନ୍ଧ ଚିହ୍ନି

ନାଭିରୁ ପ୍ରକାଶେ ନାସାପୁଟେ ରୂପଧରି

ଯୁବତୀ ପୁରୁଷଙ୍କର ନାସାରେ ବିହରି ।

ଓଁକାର ବ୍ରହ୍ମକୁ ବୋଲା ଶଦ୍ଦ ଥାଇ ଟେକି

ଶିକୁଳି ଛନ୍ଦ ପ୍ରାୟ ସେ ହୁଏ ଝିଙ୍କାଝିଙ୍କି ।

ଦେଢ଼େଇ ଅଡ଼େଇ ହୋଇ ଚାଲେ ଏକଘଟେ

ତରୁଣ ବୃଦ୍ଧ ବାଳକ ଯୁବା ନାସାପୁଟେ ।

ମନେ କଲେ ପାରଇ ସେ ଗୋଟି ତିନିପୁର

ଏଡ଼େ ପୁରୁଷ କଶ୍ୟପ ଋଷିର କୁମର ।

ସେ ମହାପୁରୁଷ ବର ଦେବାର ସତ୍ୟରେ

ଲୁଚି ରହିଲେ ଗର୍ଭରେ ପର ଉପକାରେ ।

ଶୁଣି ନାରଦ କହନ୍ତି ପୁଣି ବେଦବର

ପବନ ନ ବହନ୍ତେ ନିର୍ଜୀବ ହେଲେ ନର ।

ଯାଦବ ଜୀବ ପଡ଼ିଲେ ପୁଣ ଜାଣ ଢଳି

ଭୂମିରେ ମୋହ ଯାଇଣ ନ ପାରିଲେ ଚଳି ।

ନିର୍ଜୀବ ହୁଅନ୍ତେ ସର୍ବେ ନିର୍ଜୀବ ସେ ହେଲେ

ଏଥିଉତ୍ତାରେ କହିବା ବାଣୀ ଶୁଣ ଭଲେ ।

ଦୈତ୍ୟ ନିର୍ଜୀବ ହୁଅନ୍ତେ ସର୍ବମୁଖ ଉଠି

କରେ ବଜ୍ରଶରକୁ ସେ ଧରି ଦେଲେ ପିଟି ।

ବାଜନ୍ତେ ସେ ଶର ଦୈତ୍ୟ ପଡ଼ିଲାକ ଢଳି

ରକତ ଉଦ୍‌ଗାରି ମଲେ ଦୈତ୍ୟ ବୀରଚାରି ।

ଶୁଣିଣ ନାରଦ ଋଷି ମନେ କଲେ ଶଙ୍କା

ବୋଲନ୍ତି ଏ ସନ୍ଧି କହିବାକୁ ସ୍ଵାମୀ ଏକା

ସଂସାରେ ଢଳି ପଡ଼ିଲେ ସମସ୍ତ ଯେ ଜୀବ

ନୃସିଂହଗଣ କିମ୍ପାଇଁ ନୋହିଲେ ନିର୍ଜୀବ ।

ଧାତା ବୋଇଲେ ହୋ ଶୁଣ ତେତେ ବ୍ରହ୍ମଦ୍ଵିଜ

ଅଟନ୍ତି ନୃସିଂହଗଣ ଅଯୋନି ଆତ୍ମଜ ।

ଯୋନି ସମ୍ଭୁତ ଯେତେକ ଗଲେ ମୋହ ହୋଇ

ଅଯୋନି ସମ୍ଭୁତ ରହିଗଲେ ମୋହ ନୋହି ।

ଶୁଣିଅଛି ପବନକୁ ଗିଳିଲେ ନୃସିଂହ

ଯେ ପବନ ଭକ୍ଷଇ ସେ ନିଶ୍ଚେ ବ୍ରହ୍ମଅଙ୍ଗ ।

ପବନକୁ ଗିଳି ଯେହୁ ପାରଇ ସଂସାରେ

ସେ ପ୍ରାଣୀଙ୍କି ରୋଗ ଘୋଟି କେବେ ହେଁ ନ ପାରେ ।

ନୃସିଂହଗଣ ନିର୍ଜୀବ କିମ୍ପା ହୋନ୍ତେ ପୁଣି

ଦଇତ୍ୟେତ ଏହି ବର ମାଗିଥିଲେ ପୁଣି ।

ପବନ ଗୋପନ ନୋହିଲେ ମାରନ୍ତେ କି ଦୈତ୍ୟ

ଆବର କହିବା ସନ୍ଧିକଥା ଶୁଣ ତୋତେ ।

ପବନ ଧାରଣ ହୋଇଥିଲେ ଯେତେ ପୁଣ

ସେମାନେ ମୋହର ପଡ଼ି ନାହାନ୍ତିଟି ଜାଣ ।

ବ୍ରହ୍ମଜ୍ଞାନୀମାନେ ପୁଣି ନୋହିଲେକ ମୋହୀ

ଆତ୍ମଜ୍ଞାନୀମାନେ ସେହିରୂପେ ଛନ୍ତି ରହି ।

ଯୋଗେନ୍ଦ୍ର ପୁରୁଷ ଯେତେ ଥିଲେ ପୁଣି ଜାଣ

ସେମାନେ ତ ମୋହପାଇଁ ନାହନ୍ତି ହୋ ପୁଣ ।

ବୁଝିଲେ ଋଷିଗଣେ ତ ବ୍ରାହ୍ମଣ ପୁରୁଷେ

ତାହାଙ୍କ ନିଃଶ୍ଵାସ ଗୋଟି ପ୍ରାଣୀଙ୍କି ବରଷେ ।

ତେଣୁକରି ଋଷିମାନେ ନ ହୋଇଲେ ମୋହି

ଷାଠିଏ ଲିତାରେ ସିନାଦଣ୍ଡେ ବୋଲି କହି ।

ତେଣୁ ସେହି ଋଷିମାନେ ସଂସାରେ ସଜୀବ

ଶୁଣହେ ନାରଦ ଋଷି କହନ୍ତି ଦଇବ ।

ଦେହ ବହି ଯେତେ ଜୀବ ଅଛନ୍ତି ବ୍ରହ୍ମାଣ୍ଡେ

ସେମାନେ ମୋହି ପଡ଼ିଲେ ମାତ୍ରକ ସେ ଦଣ୍ଡେ।

ନାରଦ ଶୁଣିଣ ତାହା ହୋଇଲେ ସନ୍ତୋଷ

ବୋଇଲେ ପବନ କଥା କହ ଏବେ ରସ ।

ମରୁତର ମୃଗସିଂହ କାଢ଼ିବେ କିପରି

ଏକଥା କହ ଆଗେ ଶୁଣିବା ବିସ୍ତାରି ।

ଧାତା ବୋଇଲେ ନୃସିଂହ ଗ୍ରନ୍ଥ ତେବେ ଶୁଣ

ପ୍ରାଣ ପୁରୁଷେ ପ୍ରକାଶ ହେଲେ ଯେମନ୍ତେଣ ।

ସେ ଚାରି ଦୈତ୍ୟଙ୍କ ମୃତ୍ୟୁ ଦେଖିଣ ନୃସିଂହ

ବୋଇଲେ ମୃଗସିଂହକୁ ବାୟୁ କାଢ଼ ବେଗେ ।

ସଂସାରେ ଜୀବଯାକ ତ ପଡ଼ୁଛନ୍ତି ମୋହେ

ପବନ ବହିଲେ ଜୀଇଁ ଉଠିବେ ସଭିଏଁ ।

ଆବର ଯାଚି ଦେଉଛୁ ତୋତେ ନିଅ ବର

ଆମ୍ଭର ବୋଲ ପାଳି ଯେ ଗିଳିଲୁ ସମୀର ।

ଏଥକୁ କହୁଛୁ ତୋତେ ଶୁଣ ମୃଗସିଂହ

ଚାରିଯୁଗେ ମୃଗ ହୋଇଥିବୁ ବହି ଅଙ୍ଗ ।

ପବନମଧ୍ୟେ ଯେ ସାହା ହେବ ଜାଣ ତୋତେ

ଚାଲୁଥିବୁ ପବନର ପରି ତୁହି ନିତ୍ୟେ ।

ପଳାଇଲେ ଦଶହାତେ ଯାଇ ଉଭା ହେବୁ

ପବନବଳେ ଗମିବୁ ପବନ ଭକ୍ଷିବୁ ।

ମୃଗନାମ ବହିଣ ଯେ ଜନ୍ମିବୁ ଆପଦେ

ମୃଗେନ୍ଦ୍ର ବୋଲି ତୋ ନାମ ରହୁ ବେଦେ ।

ସିଂହ ମୃଗେନ୍ଦ୍ର ପଞ୍ଚାସ୍ୟ ହର୍ଯ୍ୟକ୍ଷ କେଶରୀ

ଏଣେ ନୃସିଂହ ନାମକୁ ବହି ଅବତରି ।

ଆଜ୍ଞାପାଇ ମୃଗସିଂହ କର ବେନି ଯୋଡ଼ି

ନୃସିଂହ ବାକ୍ୟେ ପବନ ଗର୍ଭୁ ଦେଲା ଛାଡ଼ି ।

ବହିଲା ନାସିକା ଦ୍ଵାରେ ଅଣଚାଶ ପେଲି ।

କ୍ଷଣକେ ବ୍ୟାପି ସଂସାରଯାକ ଗଲା ବୁଲି

ବହି ମଳୟ ପବନ ବାଜି ସବୁଠାରେ ।

ପୂରିଣ ଆକାଶଯାକ ରହିଲା ପୃଥ୍ଵୀରେ ।

ଜୀବାଦି କରି ଯେତେକ ପଡ଼ିଥିଲେ ମୋହେ

ସେ ଜୀବ ପାଇ ଉଠିଲେ ଯେ ଯାହାର ଦେହେ।

ଏଥିଉତ୍ତାରେ ଜାଣ ଏ ପୁଣ ମୃଗସିଂହ

ସର୍ବତୋମୁଖ ପ୍ରଭୁଙ୍କୁ ମାଗେ ବର ଦିଅ ।

ବୋଇଲାକ ପବନକୁ ଗିଳିଦେଲି ମୁହିଁ

ତହିଁକି ମୋହର ସିଦ୍ଧ କଥା ଯାଅ ଥୋଇ

ନୃସିଂହ ସର୍ବେତୋମୁଖେ ଆଚ୍ଛା ବୋଲି ପାଞ୍ଚି

କଥାଏ ସିଦ୍ଧାନ୍ତେ କରି ଦେଲେ ପୁଣି ଯୋଚି ।

ବୋଇଲେ ମୁଖେ ଗିଳିଲୁ ଯେଣୁ ପବନକୁ

ସେ କଥାକୁ ତତ୍ତ୍ଵକରି କହିବା ତୁମ୍ଭଙ୍କୁ ।

ଘାଉଡି ଘାଆ ଯେ ଫୁଙ୍କି ଦେଲେ ଯିବ ଉଡ଼ି

ନ ଫୁଙ୍କି ରାଉଳ କେହ୍ନେ ବିଷଦେବେ କାଢ଼ି ।

ପବନ ତୋହର ଘେନି ପଶୁ ସର୍ବମୁଖେ

କୀଟୁଁ ବ୍ରହ୍ମ ପରିଯନ୍ତେ ଯେତେ ଛନ୍ତି ଲୋକ ।

ଆବର କଥାଏ ମଧ୍ୟ କହିଥିବା ସିଦ୍ଧି

ପବନକୁ ଦଣ୍ଡେ ଯାଏ ଗିଳିଦେଲୁ ଯଦି ।

ସେହୁ ଦଣ୍ଡକଟି ଜାଣ ସର୍ବଦିନେ ନିତ୍ୟ

ଦଣ୍ଡକ ନିଶ୍ଚଳ ହୋଇ ନ ବହିବ ବାତ ।

ଭୁଞ୍ଜିବେ ରାନ୍ଧିଣ କରୁ ସବୁ ପାକଶାନ୍ତି

ପବନ ସ୍ଥବିର ଏକା ଯୋଗୀଏ ଜାଣନ୍ତି ।

ଶୁଣ ହେ ନାରଦ ଋଷି କହନ୍ତି ଯେ ବ୍ରହ୍ମା

ଇତି ଶ୍ରୀ ନୃସିଂହ ଗ୍ରନ୍ଥ ପୁରାଣ ମହିମା ।

ଯେ ଜନ ସଙ୍କଳ୍ପ କରି ଶୁଣେ ବସି ମୁଖେ

ତା ବଂଶ ବୃଦ୍ଧି କଥା କେ କହି ପାରେ ମୁଖେ ।

ସନ୍ତାପ ବିପତ୍ତି ରୋଗ ନ ପଶେ ତା ଗୃହେ

ଚଳିଯାନ୍ତି ବୈକୁଣ୍ଠକୁ ଶ୍ରୋତା ବକ୍ତା ଦୁହେଁ ।

ଶୁଣ ହେ ନାରଦ ଏହି ଯୁଦ୍ଧର ବାରତା

କହିବାକୁ ଅଲୋକିତ ଏହି ଗ୍ରନ୍ଥ କଥା ।

ସର୍ବତୋମୁଖ ପ୍ରଭୁ ଯେ ମାରି ଚାରିଦୈତ୍ୟ

ତାଙ୍କ ମୂଳେ ସୈନ୍ୟ ଥିଲେ ଚାଳିଣ ମର୍ଭୂତେ ।

ମାଇଲେ ନୃସିଂହଗଣ ଉଠି ଯେଝାମତେ

ଜଣେ ଜଣେ ଗଲେମାରି ଦୈତ୍ୟ ଶତେଶତେ ।

ସଂଗ୍ରାମ ମଧ୍ୟରେ ପଶି ଫିଟନ୍ତେ ଦରାଣ୍ଡି

କାହାର ଝିଡ଼ଇ ବେକ କାରେ ଛିଡ଼େ ଗଣ୍ଡି ।

କାହାର ଭାଜଇ କଟୀ କାରେ ଭାଜେ ବୁକୁ

କାହାର ବେକକୁ ମୋଡ଼ି ଫିଙ୍ଗନ୍ତି ଅବଧିକୁ ।

କାହାର ମାରି ବିଧାଏ କାହାକୁଟି ମୁଥେ

ଉଡ଼ାନ୍ତି କାହାକୁ ଧୂଳି କରି ଗଦାଘାତେ ।

କାହାକୁ ଧରିଣ ଚିରି ଦ୍ୟନ୍ତି ବେନିଫାଳେ

କାହାକୁ ଛେଚି ଫିଙ୍ଗନ୍ତି କୋପେ ଅନ୍ତରାଳେ ।

କାହାର କାଢ଼ନ୍ତି ପେଟ ଚିରି ଅନ୍ତମାଳା

କାହାକୁ ଆକ୍ଷି ତାଡ଼ିଣ ଛେଚନ୍ତି ସେ ଡୋଳା ।

କାହାକୁ ମୁଥ ମାରିଣ ପିଟନ୍ତି କା ମୁଣ୍ଡ

କାହା ଦାନ୍ତ ଉପାଡ଼ିଣ କରି ଖଣ୍ଡ ଖଣ୍ଡ ।

କାହାକୁ ମାଡ଼ିଣ ଛେଚିଦ୍ୟନ୍ତି ଧରି ଗୋଡ଼େ

କାହାକୁ ବୁଲାଇ କେହୁ ଗିରିଖୋଲେ ମାଡ଼େ ।

ନୃସିଂହ ବୋଇଲେ ଏବେ ଦେଖିଲି କି ମାଏ

ଅସୁରମାନଙ୍କୁ ଦେଖି ଡ଼ରୁଥିବ ଦୁହେଁ ।

ଦେଖ ଏ ଅସୁର ମଡ଼ା ଛନ୍ତି ଯେତେ ପଡ଼ି

କୃତିହା ପୁରୁଷ ସମସ୍ତଙ୍କୁ ଦେବେ ପୋଡ଼ି ।

ଏ ରୂପେ କହି ଚିନ୍ତନ୍ତେ ପ୍ରଭୁ କୃତିହାକୁ

ତକ୍ଷଣେ ମିଳିଲେ ଆସି ଧରି ରୂପଯାଙ୍କୁ ।

କୃତିହା ଅର୍ଥବ ବେଦ ମଧ୍ୟରୁ ଜନମି

ନୃସିଂହ ଛାମୁରେ ଆସି ହେଲେ ପରଣାମି ।

ପ୍ରତ୍ୟକ୍ଷେ ବ୍ରହ୍ମଅଗ୍ନି ସେ ଅଟନ୍ତି କୃତିହା

କାଳନଳ ରୂପଧରି ହେଲେ ଆଗେ ଠିଆ ।

ପଞ୍ଚଦଶ ରୂପଧରି ଟେକି ଅଗ୍ନିଶିଖା

ଆକାଶ ପର୍ଯ୍ୟନ୍ତେ ବଢ଼ି ପ୍ରକାଶିଲା ଏକା ।

ବେନିଶିର ତିନିଶର ଚତୁଃଶିର ହୋଇ

ପଞ୍ଚ ଷଷ୍ଠ ସପ୍ତ ଅଷ୍ଟ ନବରୂପ ବହି ।

ଦଶ ଏକାଦଶ ଯେ ଦ୍ଵାଦଶ ତ୍ରୟୋଦଶ

ଚତୁର୍ଦ୍ଦଶ ପଞ୍ଚଦଶ ଶିଖା ପରକାଶ ।

ଘୋର ଗର୍ଜନ କରିଣ ଫୁଫୁକାର ନାଦେ

କାଳାନଳ ରୂପଗୋଟି ପ୍ରକାଶିଲା ହୃଦେ ।

ନୃସିଂହ କହିଲେ ଶୁଣ ହେ ଅଥର୍ବ ବେଦୀ

ଏହି ଦୈତ୍ୟ ମଡ଼ାଯାକ ପାଦେ ଦିଅ ମର୍ଦ୍ଦି ।

ଆମ୍ଭ ପିତା ମାତା ଦେଖୁଥାନ୍ତି ବେନିଡୋଳେ

ଅସୁର ଭସ୍ମ ହୁଅନ୍ତୁ ପଡ଼ି କ୍ରୋଟାନଳେ ।

ଶ୍ରୀଆଜ୍ଞା ପାଇ କୃତିହା ଗଲା କୋପେ ଗର୍ଜି

ଅସୁରଙ୍କ ମଡ଼ାଯାକେ ପୋଡ଼େ ଖୋଜି ଖୋଜି ।

କୋଡ଼ିଏ ଯୁଣ ପର୍ଯ୍ୟନ୍ତେ ପଡ଼ିଥିଲେ ମଡ଼ା

ଘଡ଼ିକ ମଧ୍ୟେ ଅନଳେ ହୋଇଗଲେ ପୋଡ଼ା ।

ତାହା ଦେଖି ଭଗବତୀ ହେଲେ ଆଚମ୍ବିତ

ବୋଇଲେ ଏ ନୃସିଂହର ମାୟା ବିପରୀତ ।

ପ୍ରତ୍ୟକ୍ଷରେ ଭଗବାନ ଜନ୍ମିଛି ମୋ କୋଳେ

ମୁଁ ମୂଢ଼ପାମରୀ ଯେ ନ ଚିହ୍ନି ବେନିଡୋଳେ ।

ବାଳୁତ ପରାୟେ ଧରି ଖେଳାଏଁ ମୁଁ ଗୋଡ଼େ

ଶେଯେ ଶୋଇଥିଲେ ଝୁଣ୍ଟି ଅଙ୍ଗକୁ ଆବୋଡ଼େ ।

ଡ଼ାକଇ ତୁକାର କରି ଆରେ ଆରେ ବୋଲି

ପିଟିଥାଇ ଛାଟ ଧରି ଘରୁ ଗଲେ ବୁଲି

ବାଳକ ପ୍ରାୟେ ମଣି ମୁଁ ଥାଏ ଅନୁବ୍ରତେ

ଲାଟ ପ୍ରାୟେକ ଡ଼ିଆଇଁ ଗୋଡ଼ରେ ନିରତେ

ସାକ୍ଷାତରେ ସ୍ଵୟଂବ୍ରହ୍ମ ଯେଉଁ ନାରାୟଣ

ଯୁଝନ୍ତି ଯଦ୍ୟପି ହୋଇ ଶ୍ରନୃସିଂହଗଣ ।

ଏକା ଦେବଗୋଟି ବ୍ରହ୍ମ ସବୁଠାରେ ସାଜେ

ପାତ୍ରାନୁସାରେ ରହିଣ ଭିନ୍ନେ ଭିନ୍ନେ ବିଜେ ।

କୀଟରୁ ବ୍ରହ୍ମଯାଏ ଶ୍ରୀହରି ଆତ୍ମା ସଖା

ହକାରରୂପେ ବସି ସକାରଧାମେ ଟେକା ।

Unknown

ସେ ହକାର ସକାର ଯେ ଜାଣ ପରଂବ୍ରହ୍ମ

କରନ୍ତି ଅନେକ ରୂପେ ଜନ୍ମି ନାନା କର୍ମ ।

ମୈଥୁନ ଯୋଗରେ ଭୋଗ ଆଣିଥାନ୍ତି ଯାହା

ବୀର୍ଯ୍ୟରୁ ଜନମି ଖେଳେ ଲଭନ୍ତିଟି ତାହା ।

ଖଞ୍ଜିଛି ବାସ୍ତରି ସମ ନାଡ଼ୀ ସର୍ବଦେହେ

ଶରୀର ଜଡ଼ିଛି ଉର୍ଣ୍ଣନାଭି ସୂତ୍ରପ୍ରାୟେ ।

ଶରୀରରେ ଷଡ଼ଚକ୍ର ଅଟଇ ବଇଠି

ଇଅଁଳା ପିଅଁଳା ଶିଶୁମୁନା ଧାରୀ ଫୁଟି ।

ତିନି ତିହୁଡ଼ି ତ୍ରିକୁଟ ତ୍ରିମୁନାର ସନ୍ଧି

ତହିଁ ମଧ୍ୟେ ସେ ଓଁକାର ବ୍ରହ୍ମଅଛି ବାନ୍ଧି ।

ଶଙ୍ଖାଳିନାଳରେ କ୍ଷେପି ଜୀବ ବ୍ରହ୍ମଜ୍ଞାନ

ଦେଖିବ ଆତ୍ମା ଉଦୟ ସ୍ଥାନେ ହଂସବର୍ଣ୍ଣ ।

ତହିଁ ଶିଖେ ଧାରଣା ଅମର ସରୋବର

ରେଚକ ପୁରକୁ କୁମ୍ଭକ ଯେ ସୂତ୍ରଧାର ।

ତ୍ରିବେଣୀ ସଙ୍ଗମ ଗଙ୍ଗା ହୋଏ ନିତ୍ୟ ତହିଁ

ସେଠାରୁ ଉତ୍ସୁକେ ଝର ମହାରସ ବହି ।

ସେ ଝର ଯଦ୍ୟପି ଟେକ ରଖିପାରେ ପ୍ରାଣୀ

ପୂର୍ବର ନଦୀ ପଶ୍ଚିମେ ବୁହାଇବା ଆଣି ।

ତେବେ ଯାଇ ସେ ଆତ୍ମାକୁ ଦେହ ଚିହ୍ନିପାରେ

ଜୀବ ପରମଲୀଳା ଯେ ପ୍ରକାଶ ସେଠାରେ

ସକଳ ଆତ୍ମାଯାକକୁ ମଣେ ଏକପ୍ରାୟେ

ଆତ୍ମାରୂପେ ରାମ ନାମ ସ୍ଥିର ସର୍ବଦେହେ ।

ଉଲଟ ପାଦପ ଏହୁ ବାୟୁ ସୂତ୍ର ଚଳି

କରନ୍ତି ହଂସ ହଂସିନୀ ବେନି ବୃକ୍ଷେ କେଳି ।

ହଂସ ଅଣ୍ଡିର ଅଟଇ ହଂସିନୀ ଯେ ମାଈ

ପାଦକୁ ପାଦ ଛଦିଣ ଉଦେ ହେଉଥାଇ ।

ହଂସନୀକି ଧରି ହଂସ କରେ ନିତ୍ୟ ଲୀଳା

ରାସେ ମତାଇ ଲଗାଇ ଥାଏ ପଞ୍ଚକଳା ।

ହଂସିନୀକି ଘେନି ହଂସ ଚାଲେ ଯେଉଁବାଟେ

ଜ୍ଞାନୀକି ସୁଗମ୍ୟ ଏକା ଅଟେ ସର୍ବଘଟେ ।

ଏହା ମୁଁ ଚିହ୍ନି ପାରନ୍ତେ ଯେବେ ସର୍ବପ୍ରାଣୀ

ଏହା ଏକା ବ୍ରହ୍ମା ବୋଲି ତରନ୍ତେ ସେ କ୍ଷଣି ।

ଅଣହେତୁ ସକାଶରୁ ଆତ୍ମାକୁ ନ ଚିହ୍ନି

ଗୁରୁ ନ କହନ୍ତେ ଏହା ନ ପାରେ କେ ଚିହ୍ନି

ସାକ୍ଷାତରେ ବ୍ରହ୍ମରାଶି ଯେଉଁ ଭଗବାନ

ପୁତ୍ର କରି ତାହାକୁ ମୁଁ ପାଳେ ପ୍ରତିଦିନ ।

ଏମନ୍ତ ବୋଲି ଚିହ୍ନନ୍ତେ ମାଏ ହୃଦଗତେ

ସେ କଥାକୁ ଅନ୍ତର୍ଯ୍ୟାମୀ ଜାଣିଲେ ସାକ୍ଷାତେ ।

ଜନନୀ ଅଙ୍ଗେ ଲଗାଇ ଦେଲେ ମାୟା ଆଣି

କହନ୍ତି ବିଧାତା ଶୁଣ ହେ ନାରଦ ମୁନି ।

ଗୋବିନ୍ଦ ମାୟାରେ ପଡ଼ି ଭଗବତୀ ମାଏ

ଶେଷଦେବ ଲୋଡ଼ି କାନ୍ଦି କାନ୍ଦି ଅପ୍ରମୟେ ।

ବୋଇଲେ ମୁହିଁ ପାମରୀ କଲି କେଉଁ ସଧ

ଅଖଡ଼େ ପୁତ୍ରଙ୍କ ଆସି ପଡ଼ିଲା ପ୍ରମାଦ ।

କି ରୂପେ କରିବେ ପାରି ଏଥୁ ଜଗନ୍ନାଥ

ମୋ ଶେଷଦେବଙ୍କୁ ଘେନି ଗଲା କେଉଁ ପଥେ।

ଶୁଣ ହେ ନାରଦ ଏହା ଗୋବିନ୍ଦର ମାୟା

ତହୁଁ ଉବୁରି ନାହାନ୍ତି ଧରି କେହି କାୟା ।

ଯେବଣ ମାୟାରେ ଭ୍ରମିଛନ୍ତି ଉମାସାଇଁ

ଏ କିମ୍ପାଇଁ ନ ଭୁଲିବେ ନରଜନ୍ମ ବହି ।

ଜୟ ଜୟ ମାୟାଧର ସଂସାର ତୋ ଖେଳ

ବଡ଼କୁ ତୁ ସାର କରୁ ସାନେ କରୁ ବଡ଼ ।

ମୁହିଁ ଯେ ଅଟଇ ମୂର୍ଖ ପୁଣି ଅପଣ୍ଡିତ

ଦୀନ ଦୁଃଖୀଯାକେ ଦୁଃଖୀ ଅଟେ ଅପ୍ରମିତ ।

ନ ଜାଣଇ ଜନ୍ମକାଳୁ ଅକ୍ଷର ଯେ ଲେଖି

ଏହୁ ପାରେ କି ପୁରାଣ ପଦମାନ ଦେଖି ।

ପଣ୍ଡିତ ସଭାରେ ମୁହିଁ ଦିନେ ନାହିଁ ବସି

କେବଳ ଯଜୁର୍ବେଦୀ ମୁଁ ଅଟେ ବିପ୍ରବଂଶୀ ।

ସନ୍ଧ୍ୟା ପଠନ ଆଚାରୀ ଯେବଣ ବ୍ରାହ୍ମଣ

ସେହି ସୁବେଦୀ ବ୍ରାହ୍ମଣ ଅଟେ ମୁଁ ପ୍ରମାଣ ।

ଚାରି ବ୍ରାହ୍ମଣ ଶମ୍ଭରୁ ଅଟେ ଜଣେ ଲେଖା

ଚତୁଃସମ୍ପ୍ରଦା ଗାୟତ୍ରୀ ଭଜନ ମୋ ଏକା ।

ତ୍ରିପାଦ ଗାୟତ୍ରୀ ଭଜୁଥାନ୍ତି ବିପ୍ରେ ପୁଣି

ଚତୁଃସମ୍ପ୍ରଦା ଗାୟତ୍ରୀ ନ ପାରେ କେ ଜାଣି

ନୃସିଂହ ପୁରାଣ ପଞ୍ଚଦଶସସ୍ର ଶ୍ଲୋକ

ସେହି ଅର୍ଥ କହିବାକୁ ମୁହିଁ କିବା ଲୋକ ।

ମୁହିଁ ମୂର୍ଖ ଅପଣ୍ଡିତ ଅଟଇ ଅଜ୍ଞାନ

ଶାରଦା ରାତ୍ରରେ ମୋତେ ହୋଇଲେ ପ୍ରସନ୍ନ ।

ବୋଇଲେକ ଆରେ ପୁତ୍ର ଉଠଲ ତୁହି ବେଗେ

ନୃସିଂହ ପୁରାଣ ଅର୍ଥ ଲେଖ ଶାସ୍ତ୍ରମାର୍ଗେ ।

ଏ ରୂପେ କହୁ ଦେଖନ୍ତେ ମାତା ନିଜ ଗାତ୍ର

କଲି ମୁହିଁ ପ୍ରତିକ୍ଷଣ ଯୋଡ଼ି କରପତ୍ର ।

ବୋଇଲି ମାତା ମୋହର ନାହିଁ ଗ୍ରନ୍ଥପଢ଼ା

ପ୍ରଥମେ ସିଦ୍ଧ ରସ୍ତୁ ନ ଜାଣ ଲେଖି ବେଢ଼ା ।

ଏ ଯେଉଁ ପୁରାଣ ସାମବେଦରୁ ଉକତ

କି ରୂପେ ଲେଖିବି ତାହା କରି ପରକୃତ ।

ଶାରଦା ବୋଇଲେ ନକର ତୁ ମନଶଙ୍କା

ମୋ ଆଜ୍ଞା ପ୍ରମାଣେ ଲେଖ ଏ ଗ୍ରନ୍ଥ ତୁ ଏକା ।

ତୁହି ମୋହର ପ୍ରତ୍ୟକ୍ଷେ ପୁତ୍ର ଅଟୁ ଜାଣ

ଆଜକୁ ହେଲାଣି ଷଷ୍ଠଜନ୍ମ ତୋର ପୁଣ ।

ଜନ୍ମେକ ପୁରାଣେ ଯାଉଅଛୁ ଜାଣ ଦେଖି

ଏଥକୁ ନ ଡ଼ର ହେଉଅଛୁ ଆମ୍ଭେ ସାକ୍ଷୀ ।

ତୋ ଜନ୍ମଯାକ ସମସ୍ତ ଆମ୍ଭେ ଜାଣିଅଛୁ

ଶତେ ଜନ୍ମଯାଏ ଆମ୍ଭ ଗର୍ଭ ପ୍ରକାଶିଛୁ

ସେହିଠାରେ ତୋର ନାମ ହେଲା କାଳିଦାସ

ରଘୁ ମହାବାକ୍ୟ ତୁହି କରିଛୁ ପ୍ରକାଶ ।

ନରଜନ୍ମ ହେବାରୁ ତୁ ଦେଉଛୁ ପାଶୋରି

ଆମ୍ଭେ ଏକା କହୁଅଚୁ ପ୍ରଘଟ ଯେ କରି ।

ଆମ୍ଭ କୃପାରୁ କାରେଣି ତୋର ସିନା ଏଡ଼େ

ଏ ଜନ୍ମେ ମୂର୍ଖ କିମ୍ପାଇଁ ହୁଅନ୍ତୁ ସମ୍ପୂଡ଼େ ।

ତୁ ନାହିଁ ବୋଇଲେ ମୁହିଁ ଛାଡ଼ିବି କି ତୋତେ

ଯହିଁ ବସିଲେ ଲେଖାଉ ଥିବି ତୋର ହସ୍ତେ ।

ଏ କଥାକୁ ଶୁଣି ହାସ୍ୟ କରିବେ ଯେ ଜନ

ବୁଝିବେ ତାହାର ଅଭିପ୍ରାୟ ଭଗବାନ ।

ଜୀବର ଜନମ ପଥ ଶୁଣ ଅନୁକ୍ରମେ

ଜନ୍ମ ହୋଇଲେ ମରଇ ଯେଟି ପୁଣି ଜନ୍ମେ ।

ବେନି ପଥ ସାଧଇ ଯେ ଜୀବ ଅନୁବ୍ରତେ

ଜୀବନ ସାଧନା ଜାଣ କହିଲୁଟି ତୋତେ ।

ଏହିରୂପେ କହିଗଲେ ମୋତେ ସେହି ଦେବୀ

ତେଣୁ ମୁହିଁ ପଦ ବାନ୍ଧି ଲେଖେ ଭାବି ଭାବି ।

ଏଣୁ ସାଧୁଜନେ ମୋତେ ବୋଲୁଛନ୍ତି କବି

ଜନମକେ ଲୀଳାଟିଏ ଲେଖେ ବିଷ୍ଣୁ ଭାବି ।

ଅଭିସାରିକା ଜ୍ଞାନ ମୁଁ ଲଭି ପୂର୍ବ ତପେ

ଜନ୍ମିଲି ଭାରତ ଖଣ୍ଡେ ଏହି ଜମ୍ବୁଦ୍ଵୀପେ ।

ଋଷିକୁଲ୍ୟା ନଦୀତୀରେ ଅଟେ ମୋର ମଠ

ପିତୃ ପିତାମହ ଗଲେ ଏଥି ସାତପାଟ ।

ସୁଜନ ସାଧୁଙ୍କୁ ସେବି ମୁହିଁ ତହି ରହି

ବୁଝିଲେତ ମୋର କ୍ଷେତ୍ର ପ୍ରଭୁ ଭାବଗ୍ରାହୀ

ଦାତା ଥିଲେ ଅନ୍ନ ମୁହିଁ କରେ ଗ୍ରାସ ନିତ୍ୟେ

ଜୀବନକୁ ଭୁ଼ଞ୍ଜାଇ ଭୁଞ୍ଜୁଥାଇ ଅନୁବ୍ରତେ ।

ଏକୋଇଶି ସସ୍ର ଛଅଶତ ଭଜେ ନିତି

କ୍ଷଣେ ନାହିଁ ଅବସରେ ଦିବା ଘୋର ରାତି ।

ସବୁ ଜୀବ ହୃଦେ ଏହିପରି ଜପ ହୁଏ

ଏହା ନ ଚିହ୍ନି ବିଷୟ ପ୍ରାଣୀ କରୁଥାଏ ।

ଏ ଜପ ଯାର ଛିଡ଼େ ସେ କରେ ପ୍ରାଣତ୍ୟାଗ

ତାହାକୁ ରଖି କେହୁ ନ ପାରେ ତିନିସ୍ଵର୍ଗ ।

ଏ ରୂପେ ହୃଦରେ ନାରାୟଣ ଜପକରି

ସକଳ ଘଟେ ବ୍ରାହ୍ମଣଯାକେ ଛନ୍ତି ପୂରି ।

ହେ ସାଧୁଜନେ ଶୁଣ ନ କର ମୋତେ ହାସ୍ୟ

ତୁମ୍ଭର ପାଦେ ଶରଣ ପୀତାମ୍ବର ଦାସ

ଦାରୁଣ ବଧ

ଏଥିଉତ୍ତାରେଟି ପୁଣି ନାରଦ ଯେ ମୁନି

ପିତାଙ୍କ ପାଦେ ନମିଣ କରନ୍ତି ଦଇନୀ ।

ବୋଲନ୍ତି କହନ୍ତୁ ଶେଷଦେବଙ୍କର କଥା

ଦାରୁଣଙ୍କ ବ୍ରହ୍ମଶକ୍ତି ଗଲା ଯେବେ ବୃଥା ।

ତହିଁ ଉତ୍ତାରେ କି ରୂପେ ଶେଷ କଲେ ଯୁଦ୍ଧ

ଅସୁର ସୈନ୍ୟଙ୍କୁ କଲେ କି ରୂପେ ସେ ବଧ

ସେଠାରୁ ପ୍ରସଙ୍ଗ ମୋତେ କହିବା ଯେ ହେଉ

ଶୁଣିଣ ହସି କହନ୍ତି ତାଙ୍କ ଅଷ୍ଟବାହୁ ।

ବ୍ରହ୍ମା ବୋଇଲେକ ତେବେ ଶୁଣ ହେ ନାରଦ

ଦଶଅବତାରୁ ଏ ନୃସିଂହ ଜନ୍ମ ଆଦ୍ୟ

ନୃସିଂହ ପୁରାଣ ସବୁ ଗ୍ରନ୍ଥ ପ୍ରକାଶିଲା

ଆଦ୍ୟ ସତ୍ୟଯୁଗର ଅଟେ ଗ୍ରନ୍ଥଲୀଳା ।

ଅଦୃଷ୍ଟ ଅଶ୍ରୁତ ଏ ଅପୂର୍ବ ରସବାଣୀ

ନାରଦ ଋଷିଙ୍କୁ କହୁଛନ୍ତି କୁଶପାଣି ।

ଯେ କାଳେ ଦାରୁଣ ପେଷିଦେଲା ବ୍ରହ୍ମଶକ୍ତି

ସେହିଠାରୁ ପ୍ରାଣ ତାର ହେଲା ବିନଶ୍ୟତି ।

ଯେତେ ବେଳେ ରଥୁ ଝିଙ୍କି ଦେଲେ ଦାରୁଣକୁ

କେଶଧରି ଶେଷେ ଫିଙ୍ଗି ଦେଲେ ଉପରକୁ ।

ଅର୍ଦ୍ଧ ଆକାଶ ପର୍ଯ୍ୟନ୍ତ ଗଲା ଦୈତ୍ୟ କ୍ଷେପି

ଶୂନ୍ୟରେ ଧାଇଁ ଧରନ୍ତେ ଦେବତାଙ୍କୁ ଝିଙ୍କି ।

ତାହାକୁ ଧରିଣ କେହି ନ ପାରିଲେ ତହିଁ

କରକା ବୃଷ୍ଟି ପ୍ରାୟେ ସେ ପାଡ଼ିଲାକ ମହୀ ।

ଭୂମିରେ ପଡ଼ନ୍ତେ ଛାଡ଼ିଲାକ ଘୋର ରଡ଼ି

ସେ ରଡ଼ିଘାତେ ସବୁରି ହେତୁ ଗଲା ବୁଡ଼ି ।

ଯୋଗୀନ୍ଦ୍ରମାନଙ୍କ ଯୋଗ ତପୀଙ୍କର ତପ

ଦୟାଳୁ ଜନର ଦୟା ଦୁର୍ଜ୍ଜନଙ୍କ କୋପ ।

ବିପ୍ରଙ୍କର କର୍ମ ଧର୍ମ ଋଷି ଜପ ସିଦ୍ଧି

କ୍ଷତ୍ରୀଙ୍କର କ୍ଷତ୍ରୀବୃତ୍ତି ମନ୍ତ୍ରୀ ମନ୍ତ୍ରୀ ବୁଦ୍ଧି ।

ସିଦ୍ଧାନ୍ତ ଲୋକର ସତ୍ୟ ବ୍ରାହ୍ମଣର ଜ୍ଞାନ

ସାଧୁଙ୍କର ନିତ୍ୟାଚାର ପତିଗ୍ରତା ମନ ।

ଯୁବତୀଙ୍କର ମତି ଦେବଙ୍କର ଦୟାଚିତ୍ତ

ସାଧୁତ ଲୋକ ବ୍ୟାପାର ଆଉ କରାମତ ।

ମହୀରେ ପଡ଼ି ଛାଡ଼ନ୍ତେ ଦୈତ୍ୟ ଘୋରରଡ଼ି

ଯେ ଯାହାର ବାଣିଜ୍ୟଟି ହସ୍ତୁ ଗଲା ପଡ଼ି ।

ଜୀବ ଜନ୍ତୁ ଆଦି ଗଲେ ସମସ୍ତେ ଯେ କମ୍ପି

କେବଣ ନୃସିଂହଗଣ ରହିଲେ ଯେ କମ୍ପି ।

ସୁଜାଣ ମନ୍ତ୍ରୀ ଆବର କର୍ଣ୍ଣାଟେଶ ରାଜା

କରନ୍ତି ସମର ନିଷ୍କମ୍ପରେ ବାଇ ବାଜା ।

ବିନତାର ସତ ଅଛି ଶେଷଦେବ ପାଶେ

ବିନ୍ଧନ୍ତେ ଅସୁର ଶର ପକ୍ଷୀ ଆଡ଼ି ବସେ ।

ଏଥିଉତ୍ତାରୁ ଧାଇଁଲା ଦୈତ୍ୟ କୋପାନଳେ

ଶେଷଦେବ ଆଗେ ଯାଇଁ ମିଳିଲା ତତ୍କାଳେ ।

ମଲୁ ଆରେ ଶେଷଦେବ ବୋଲି ଡାକଦେଲା

ଅନନ୍ତ ପରେ ନାରାଚ ଆଣି ବରଷିଲା ।

ଦୂରହୁଁ ଦେଖିଣ ତାହା ନିବାରିଲେ ଶେଷ

ପୁଣିହିଁ ଦାରୁଣ ନେଇ ପିଟିଲା କୁଳିଶ ।

ଦେଖି ଆଡ଼ ହେଲେ ନୃସିଂହଙ୍କ ସାନଭାଇ

ପୁଣି ହିଁ ପିଟିଲା ଲୁହା ଗଦା ଦୈତ୍ୟ ନେଇ ।

ଏଥର ଗଦାକୁ ଯେବେ ତ ସମ୍ଭାଳିପାରୁ

ତେବେ ମୁଁ ତୋତେ ଜାଣିବି ଅଟୁ ମହାମେରୁ ।

ନ କହି ମାଇଲେ ଧର୍ମ ନାଶ ହେବ ସିନା

ବାଜିଲାକ୍ଷଣି ଯେ ଦେହ ହେବ ତୋର ଚୂନା ।

ଏ ରୂପେ ବୋଲି ପିଟନ୍ତେ ଦୈତ୍ୟ ଗଦାକାଢ଼ି

ଦେଖିଣ ଗରୁଡ଼ ତାହା ଦେଲା ଖଗ ଆଡ଼ି ।

ବାଜନ୍ତେ ଝଲକ ଉଠି ପଡ଼ିଲାକ କ୍ଷିତି

ଶୂନ୍ୟରେ ତା ଦେଖି ଦେବେ କଲେ କେତେ ସ୍ତୁତି ।

ବୋଲନ୍ତି ଧନ୍ୟ ଧନ୍ୟ ତୁ ବିନତାର ପୁଅ

ସମ୍ଭାଳି ରଖିଲା କେଢ଼େ ଗଦା ତୋର ଦେହ ।

ସାକ୍ଷାତେ ଏ ଶେଷଦେବ ଶେଷବିଷ୍ଣୁ ପରା

ତେଣୁ ସହିଲୁ ଗଦାରେ ତୁହି କେଡ଼େ ଭାରା ।

ଜୟ ଜୟ ଶେଷଦେବ ଅଣାକାର ଜ୍ୟୋତି

ଦାରୁଣ ଦୈତ୍ୟର ତୁଲେ ଯୁଦ୍ଧେ ଲାଗିଅଛି ।

ତୁମ୍ଭେ ଯେ ମାରି ପାରିବ ଏକା ଦଇତ୍ୟକୁ

ଆନକେ ସଂହାରିଣ ନ ପାରେ ଦାନବକୁ ।

ଏ ରୂପେ ସ୍ତୁତି କରନ୍ତେ ଶୂନ୍ୟେ ଦେବେ ରହି

ଦାରୁଣ ଶୁଣିଣ ତାହା ନ ପାରିଲା ସହି ।

ଗଦା ଭାଜିବାର ଦେଖି ଧାଇଁଲା ଦଇତ୍ୟ

ହସ୍ତରେ ଅଛି ଖଡ଼ଗ ଫଳା ଅସି କୁନ୍ତ ।

ଆସଇ ଅସୁର ଶୂନ୍ୟେ ଘୋଟି କାମରୂପୀ

ମଞ୍ଚରେ ପାଦ ଆକାଶେ ଶିର ଅଛି ବ୍ୟାପି ।

ଅସୁରର ବିଶ୍ଵରୂପ ଦେଖି ଶେଷଦେବେ

ବୋଇଲେ ଯେ ମାୟାକରି ରହିବାକୁ ଏବେ ।

ନ ଦେଖି ଦଇତ୍ୟ କାଉଳି ହେଉଥାଇ ବସି

ଏ ରୂପେ ପାଞ୍ଚି ନାସାରେ ଗଲେ ତାର ପାଶେ ।

ସୁଜାଣ ଏକା ଜାଣଇ କର୍ଣ୍ଣାଟେଶ ଜାଣେ

ଗରୁଡ଼ ଜାଣି ଅଛଇ ଥାଇ ଘୋର ରଣେ ।

ଆବର ଜାଣନ୍ତି ବୃନ୍ଦାରକେ ସ୍ଵର୍ଗେ ଥାଇ

ସଂସାରଯାକେ କାହାକୁ ତାହା ଜଣାନାହିଁ ।

ହୁଙ୍କାର ନାଦେ ଆସନ୍ତେ ଧାଇଁ ଦୈତ୍ୟବୀର

ନାଶାବିଚରେ ପଶିଲେ ଶେଷେ ଯାଇ ତାର ।

ଯେଉଁ ପ୍ରଭୁ ଅଛି କୋଟି ବ୍ରହ୍ମାଣ୍ଡେ ଯେ ଘୋଟେ

ସେ ଯାଇ ଲୁଚିଲେ ଅସୁରର ନାସାପୁଟେ ।

ପ୍ରଭୁ ଅଦୃଶ୍ୟ ହୁଅନ୍ତେ ଦଇତ୍ୟ ଲୋଡ଼ିଲୋଡ଼ି

ଗଲୁ ଆରେ କେଣେ ବୋଲି ଖୋଜେ ନିଶ ମୋଡ଼ି ।

ଲୁଚି ଏଠାରେ ରହିଲା କାହିଁ ପୁଣି ଗୁପ୍ତେ

ପଳାଇଗଲା ପ୍ରାୟେ ନ ଦିଶେ ହେଲେ ମୋତେ।

ଏ ରୂପେ ପାଞ୍ଚି ଖୋଜଇ ଦୈତ୍ୟ ଚାରିଆଡ଼େ

ଅଶେଷ ସଂସାରଯାକ ବୁଲି ବୁଲି ଲୋଡ଼େ ।

ମଞ୍ଚମଣ୍ଡଳଯାକ ସେ ଗଲା ସବୁ ଲୋଡ଼ି

ପାଟଣାପୁର ନଗର କନ୍ଦି କନ୍ଦି ମାଡ଼ି ।

ନ ଦେଖି ସେ କାହିଁ ପୁଣି ଲୋଡ଼େ ଜଳସ୍ଥଳେ

ବୁଲଇ ଶୂନ୍ୟରେ କ୍ଷେପି ଆକାଶ ମଣ୍ଡଳେ ।

ବାସବ ଯମ ପବନ ଅଗ୍ନି ନଇର୍ଋତ

ମରୁତ କୁବେର ଘେନି ଈଶାନ ଅନନ୍ତ ।

ଏ ରୂପେ ଦିଗ ବୁଲିଣ ଆସିଲା ବାହୁଡ଼ି

ଭୂଲୋକ ଯେ ଭୂବଲୋକ ସ୍ଵଲୋକକୁ ଲୋଡ଼ି ।

ମହାଲୋକ ଜନଲୋକ ସତ୍ୟ ତପଲୋକ

ପୁଣିହିଁ ଖୋଜିଲା ଯାଇ ହିମାଳୟଯାକ ।

ଉଦେଗିରି ଅସ୍ତଗିରି ଲୋକାଲୋକ ଗିରି

ଗ୍ରହଙ୍କପୁରେ ଖୋଜିଲା ପଶି ଅମରାରି ।

ଗନ୍ଧର୍ବ ଯକ୍ଷ ରକ୍ଷର ପୁର ଆସେ ଲୋଡ଼ି

ଆନନ୍ଦବନେ ଛାଡ଼ିଲା ଯାଇ ଘୋର ରଡ଼ି ।

ଅସୁରର ରଡ଼ିଘାତେ କମ୍ପେ ଦେବେଲୋକେ

ଶୂନ୍ୟରୁ ସ୍ତୁତି କରନ୍ତି ମିଳି ବୃନ୍ଦାରକେ ।

ଜୟ ଜୟ ଅନନ୍ତ ଶ୍ରୀବିଶ୍ଵଦେବ ସ୍ଵାମୀ

ଦାରୁଣ ଦଇତ୍ୟକୁ ମାରି ରଖ ମଞ୍ଚଭୂମି ।

ଏକ୍ଷଣି ଦେଖା ଯେବେ ନ ଦେବେ ଅସୁରକୁ

ପୃଥ୍ଵୀକୁ ଫିଙ୍ଗିବ ଟେଳା ପ୍ରାୟେ ସମୁଦ୍ରକୁ ।

ଏଥକୁ କରୁଣା ନାଚେ ବେଗେ ପାରିକର

ନିଜରୂପ ଦେଖାଇଣ ଅସୁରକୁ ମାର ।

ଦୈତ୍ୟର ନାସାପୁଟରୁ ପଡ଼ ବେଗେ ଖସି

ନୋହିଲେଟି ଦେବକୁଳ ଗଳୁ ଆମ୍ଭେ ଭାସି ।

ଭୋଦେବ ଅନନ୍ତ ଅଣାକାର ବିଶ୍ଵରୂପ

କୋଟି ବ୍ରହ୍ମାଣ୍ଡ ବିରାଜେ ତୋର ଲୋମକୂପ ।

ମାରିବା ପାଇଁ ଖୋଜୁଛି ଦୈତ୍ୟ ଛଟପଟେ

ତୁ ନାଥ ଦେଖିଛୁ ତାହା ବସି ନାସାପୁଟେ ।

ଯେଣେ ଚାହିଁଲେ ସେ ତୁହି ଆଗେ ଅଛୁ ତାର।

ଏକଥା ଜାଣି ବୁଝି ନ ପାରେ ଦୈତ୍ୟଛାର।

ସୃଷ୍ଟିର କର୍ତ୍ତା ବୋଲି ନ ପାରେ ଦୈତ୍ୟଜାଣି।

ଆସିଅଛି ଲୋଭେ ପଡି ମରିବାକୁ ପୁଣି।

ଆୟୁଷ ଅଧେକ ତୁଟିଗଲାଣି ଯେ ଘଟେ।

ଆପଣ ଯେ ଅବତାର ହୁଅ ନାସାପୁଟୁ।

ତୁମ୍ଭେ ନିରାକାର ଶୁଭ୍ର ବ୍ରହ୍ମମୟ ଅଟ

କୀଟୁ ବ୍ରହ୍ମଯାଏ ପୂରିଅଛି ସର୍ବଘଟେ ।

ଏହି ପାପୀ ଅସୁରକୁ ପକା ବେଗେ ମାରି

ମଣୁ ଅଛି ତିଳପ୍ରାୟ ଏହି ବସୁନ୍ଧରୀ ।

ଆମ୍ଭଙ୍କୁ ଦେଲାଣି କେତେ କଷ୍ଟ ଦୈତ୍ୟବଳ

ଆପଣ ରଖିଲେ ଏବେ ବହୁ ଦେବକୁଳ ।

ଏ ରୂପେ ଶୂନ୍ୟେ କରନ୍ତେ ଦେବେ ସ୍ତୁତି ଏକା

ଖସିଲେ ଶୁଣି ଅନନ୍ତ ବିଷ୍ଣୁ ଛାଡ଼ି ଛକା ।

ଦୈତ୍ୟର ନାସା ପୁଟରେ ଗରଜନ କରି

ଖସି ପଡ଼ିଲେ ଅସୁର ଆଗେ ରୂପ ଧରି

କୋଟି ସୂର୍ଯ୍ୟ ପ୍ରାୟେ ଦିଶିଲେକ ତେଜୋମୟେ

ଚନ୍ଦ୍ରରୁ ଲକ୍ଷେକ ଗୁଣେ ଶୁକ୍ଳବର୍ଣ୍ଣ କାୟେ ।

ଅଚଳ ମେରୁର ବଳି ଦିଶେ ବସୁପ୍ରଭା

ଦେବଙ୍କ ଆକୁଳ ଶୁଣି ହେଲେ ପ୍ରଭୁ ଉଭା

ଶେଷଙ୍କୁ ନ ଦେଖି ଦଇତ୍ୟ ମରୁଥିବା ଖୋଜି

ଅନନ୍ତ ବିଷ୍ଣୁଙ୍କୁ ଦେଖି ଧାଏଁ ଗଳଗାଜି ।

ବୋଇଲା ତୁହି କି ଆହେ ଭଗବତୀ ବଳା

ବୁଝିବି ମହିମା ଆଜ ତୋର ଅନର୍ଗଳା ।

ସାକ୍ଷାତେ ତୁ ସ୍ଵଂୟ ବ୍ରହ୍ମରୂପେ ଦେଖାଦେଲୁ

ଏଡ଼େ ସ୍ଵରୂପ ହୋଇ ତୁ କିମ୍ପା ଲୁଚିଥିଲୁ ।

ତଥାପି ଲୁଚି ରହିଲୁ ମୋତେ ଯେବେ ଡରି

ଲେଉଟି ତୁ କିସ ପାଞ୍ଚି ଆସୁ ବିଜେ କରି ।

ଅନନ୍ତ ବୋଇଲେ ଏହି କଥା ହେଲେ ସତ୍ୟ

ଲୁଚିବା କଥା କହୁଛି ତୋତେ ଶୁଣ ଗୁପ୍ତ ।

ତୋହର ଦେହରେ ଆତ୍ମା ପୁରୁଷ ଯେ ଅଛି

ତାହାକୁ ଗୋଟିଏ କଥା ଆସିଲି ମୁଁ ପୁଚ୍ଛି

ବୋଇଲିରେ ମୃତ୍ୟୁ ତୁହି କେତେବେଳେ ହେବୁ

ସେ ବୋଇଲା ଷଠିଲିତା ଆମ୍ଭେ ଆଉ ଥିବୁ ।

ଆମ୍ଭେ ଯେ ବୋଇଲୁ ଏହା ଅଟେ ଯେବେ ସତ୍ୟ ଆଉ କଥାଏ ପୁଚ୍ଛିବା କହ ତେବେ ତତ୍ତ୍ଵ ।

ଦାରୁଣ ଦୈତ୍ୟ ତ ବ୍ରହ୍ମାଙ୍କର ଅଟେ ପୁଅ

ମାଇଲେ ବ୍ରାହ୍ମଣ ହତ୍ୟା ଲାଗିବ କି କହ ।

ତୋହର ଆତ୍ମା କହିଲା ମୋତେ ଯାହା ଏବେ

ବୋଇଲା ମାଇଲେ ନରଦେହ ଦୋଷ ଦେବେ।

ସହସ୍ରେକ ଫଣା ଧରି ମାରିବ ଯେ ତାକୁ

ନ ଲାଗିବ ବ୍ରହ୍ମହତ୍ୟା ଦୋଷ ଆପଣଙ୍କୁ ।

ଏ କଥା ତୋର ଆତ୍ମାକୁ ଆମ୍ଭେ ଗଲୁ ପୁଚ୍ଛି

ତୁ ଏବେ ବୋଲି ରହିଲୁ ମୋତେ କିମ୍ପା ଲୁଚି

ଆମ୍ଭେ ଲୁଚିଲେ କୁ ରୂପେ ପୃଥ୍ଵୀ ରକ୍ଷା ହେବ

ତୋତେ ଯେ ମାରିବା ପାଇଁ ଆମ୍ଭ ଜନ୍ମଧ୍ରୁବ ।

ପୁଣି ହସିଲା ଦାରୁଣ ଦୈତ୍ୟ ଅଲୋକିତ

ବୋଲେ ଏ ଦେହେଁ ମରିନପାରୁ କଦାଚିତେ ।

ସହସ୍ରେକ ଫଣା ହେଲେ ପାରିବ ଯେ ମାରି

ଏରୂପେ ସଂସାରେ କେ ନ ପାରେ ଦେହ ଧରି ।

ବୁଝିଲେକ ବଜ୍ରଅଙ୍ଗ ଅଟେ ମୋର କାୟ

ବ୍ରହ୍ମା ବିଷ୍ଣୁ ରୁଦ୍ରକୁ ନ ଥାଇ ମୋର ଭୟ

ଆବର ଲୋକଙ୍କୁ ମୁଁ କି ଆଣେ ହୃଦଗତେ

ଏ ରୂପେ ବୋଲି ଧଇଲା ଦୈତ୍ୟ ଧନୁହାତେ ।

ବିନ୍ଧିଲା ସହସ୍ରେ ଶର ଯୋଚି କୋପ ହୋଇ

ଦେଖିଣ ଧଇଲେ ଶେଷଦେବ ଧନୁ ଯାଇ ।

ମନେ କୋପ ବହି ବିନ୍ଧିଦ୍ୟନ୍ତେ ସୂର୍ଯ୍ୟାବଳୀ

ଦୈତ୍ୟର ସେ ଶରଯାକ ଗଲା ହୋଇ ଧୂଳି ।

ତା ଦେଖି ଦାରୁଣ ବିନ୍ଧେ ପୁଣି ନାଗଫାଶ

ଆସନ୍ତେ ସେ ସର୍ପମାନେ ଘୋଟି ଦଶଦିଶ ।

ଇତର ପ୍ରାୟେକ ମଣି ଟେକିଥିଲେ ଫଣା

ଦେଖିକରି ଗରୁଡ଼କୁ ହୋଇଗଲେ ବଣା ।

ବୁଝିଲେ ତ ଶେଷଦେବ ଅଟେ ସପ୍ତଫଣା

ଗରୁଡ଼ ଦେଖି ଭାଜିଲେ ସର୍ପ ଅକଳଣା ।

ପାତାଳେ ପଶିଲେ କେହୁ ବିଳେ ଗଲା ପଶି

ପର୍ବତ ବନ ମଧ୍ୟେ ରହିଲେ କେ ଆସି ।

ଦେଖିଣ ଦାରୁଣ ତାହା ହେଲା ଚମତ୍କାର

ବୋଇଲାକ ଶେଷପଣ୍ଡା ଭଲ ବିପ୍ରବର ।

ବ୍ରାହ୍ମଣ ନୁହଇ ଏହୁ ଅଟେ ବିଷ୍ଣୁ ମୂର୍ତ୍ତି

ଏହାକୁ ପାରିଲେ ମାରି ରହିବି ମୋ ମୂର୍ତ୍ତି ।

ନୋହିଲେ ମୁହିଁ ମରିବିଯେବେ ଏହା ହାତେ

ବୈକୁଣ୍ଠପୁରେ ରହିବି ଯାଇ ଦେହ ଅନ୍ତେ ।

ଏ ରୂପେ ପାଞ୍ଚି ପର୍ବତ ଶର ଦେଲା ଛାଡ଼ି

କ୍ଷେପିଲେ ସେ ପର୍ବତେ ଯେ ଆକାଶକୁ ମାଡ଼ି ।

ଦେଖିଣ ତା ପ୍ରତିଅସ୍ତ୍ର କଲେ ଶେଷଦେବ

ପେଷି ବଜ୍ରଶର ନିବାରିଲେ ଗିରି ସର୍ବ ।

ଶୂନ୍ୟରେ ସେ ଗିରିମାନ ଗଲେ ସର୍ବେ ଭାଜି

ପଡ଼ିଲେକ ତହୁଁ ଯାଇ ଜମ୍ବୁଦ୍ଵୀପେ ଗର୍ଜି ।

ଭାଜନ୍ତେ ସେ ଗିରିଦେଖି ମୁରଦୈତ୍ୟ ଭାଇ

ବିନ୍ଧିଲେକ ଜଳପାଶେ ଉଠି କୋପ ହୋଇ ।

ଆସନ୍ତି ଯେ ଜଳମାନ ସିନ୍ଧୁପ୍ରାୟ ମାଡ଼ି

ଦେଖି ଅନନ୍ତ ପବନଶର ଦେଲେ ଛାଡ଼ି ।

ପବନଘାତେ ଭାଜିଲା ସେହି ଜଳପାଶ

ରହିଲେ ସମୁଦ୍ରପୂରି ଦେଖିଲା ତା ଶେଷ ।

ଦେଖିକରି ଦୈତ୍ୟ ତାହା ଉଠି କୋପବହି

ବୋଇଲେ ଏଥର ଘେନିବି ତୋର ପ୍ରାଣ ମୁହିଁ

ସବୁ ନାରାଚ ପ୍ରାୟେ ନମଣ ଈଳାବର

ଈଶ୍ଵରଙ୍କ ପାଶୁପତ ଅଟେ ଏହୁ ଶର ।

ମାରୁଛି ନିଦାଘାଳେ ଦେଖି ଏବେ ମୁହିଁ

ଏଥର ପାରିଲେ ରଖ ସମ୍ଭାଳି ତୋ ଦେହୀ ।

ଏ ରୂପେ କହିଣ ପାଶୁପତ ଦେଲା ପେଷି

ଆସଇ ସେ ପାଶୁପତ ରାହୁପ୍ରାୟ ଗ୍ରାସି ।

ଦେଖିଲେକ ବିଜେ କରିଛନ୍ତି ଶେଷଦେବ

ଅଣବା ହୁଡ଼ା ଶର ସେ ମାରେ ବ୍ରହ୍ମା ଶିବ ।

ଶେଷକୁ ବୋଇଲେ ତୁମ୍ଭେ ଅଟ ଈଳାକାନ୍ତ

ଈଳା ଯେ ଦ୍ଵିତୀୟ ଲକ୍ଷ୍ମୀ ମଞ୍ଚପୁରେ ଜାତ ।

ଏ ଜନ୍ମଯାକ ବିଧବା ଯୋଗ ତାକୁ ନାହିଁ

ଅନନ୍ତମୂର୍ତ୍ତି ପ୍ରତ୍ୟକ୍ଷ ତୁମ୍ଭେ ବିଷ୍ଣୁ ଦେହୀ ।

ଈଳାକୁ ବିଧବାଯୋଗ ଧାତା ଲେଖିନାହିଁ

କି ବୋଲି ପାମର ମୋତେ ଝିଙ୍କିଣ ବିନ୍ଧଇ

ଏହାର କାରଣ ମୋତେ କହ ବେଗେ ବୋଧି

ତୁମ୍ଭର ବଚନପାଳି ରହି ହେବି ସିଦ୍ଧି ।

ଆପଣ ତ ବ୍ରହ୍ମମୂର୍ତ୍ତି ମୁହିଁ ବ୍ରହ୍ମଶକ୍ତି

ଶୁଣିଲେ ତ ତୁମ୍ଭ ବାକ୍ୟ ଚଳିଯିବି କ୍ଷିତି ।

ଏରୂପେ କହନ୍ତେ ଶେଷ ଆଗେ ବ୍ରହ୍ମଶର

ଅନନ୍ତ ବୋଇଲେ ଯେବେ ତୁମ୍ଭେ ବିଜେକର ।

ଏ ଅବତାରେ ତୁମ୍ଭେ ନ ପାର ମୋତେ ମାରି

ସେ ଅର୍ଥ କହୁଛି ଏବେ ଶୁଣ ଆଗକରି ।

ତ୍ରେତୟାଯୁଗେ ଯେ ଆମ୍ଭେ ହେବୁ ଅବତାର

ସେ ଯୁଗେ ମାରିବ ତୁମ୍ଭେ ମୋତେ ବେନିଥର।

ଶୁଣିଣ ସେ ଦେବଶର ଯୋଡ଼ି ବେନିପାଣି

ବୋଇଲା ଫେଡ଼ି କହିବା ଏହା ସପ୍ତଫଣୀ ।

ଶୁଣିଣ କହନ୍ତି ଶେଷଦେବ ହସି ପୁଣ

ବୋଲନ୍ତି କହିବା ଆମ୍ଭ ଜନ୍ମ ତୋତେ ଶୁଣ ।

ଏହି ଅବତାର ଅନ୍ତେ ସୂର୍ଯ୍ୟବଂଶେ ଯାଇ

ଜନ୍ମିବୁ ରାମ ଲକ୍ଷ୍ମଣ ରୂପେ ବେନିଭାଇ ।

ମୁର ଦାରୁଣ ଯେ ବିଂଶବାହୁ କୁମ୍ଭକର୍ଣ୍ଣ

ହୋଇଣ ଲଙ୍କାରେ ଜନ୍ମ ହେବ ଯାଇ ପୁଣ ।

ପିତାଙ୍କ ସତ୍ୟ ପାଳିଣ ବନେ ଆମ୍ଭେ ଯିବୁ

ଜନକ ଦୁହିତାକୁ ଯେ ସଙ୍ଗେ ନେଇଥିବୁ ।

ଦଣ୍ଡକାରଣ୍ୟେ ରହିବୁ ଯାଇ ବାସ କରି

ଦଇବୀ ମାୟାରେ ପଡ଼ି ଯିବୁ ମୃଗମାରି ।

ଏଥିଉତ୍ତାରେ ରାବଣେଶ୍ଵର ପୁଣି ଆସି

ସୀତାଙ୍କୁ ହରିନେବ ସେ ପୁଷ୍ପକରେ ବସି

ବାନର ବଳ ଧରିଣ ଘେନିଯିବୁ ଲଙ୍କା

ମାରିଣ ରାବଣ ବଂଶଯାକ ଆମ୍ଭେ ଏକା ।

କ୍ରୋଧେ ସେ ରାବଣେଶ୍ଵର ଧରି ବ୍ରହ୍ମଶକ୍ତି

ମାରିବ ଯେ ତୋତେ ଆସି ହୋଇ କୋପ ମୂର୍ତ୍ତି ।

ସେ ଶକ୍ତିକୁ ହନୁମାନ ଧରି ଉପାଡ଼ିବ

ସୁବଳଗିରି ପର୍ଯ୍ୟନ୍ତେ ବହି ମୋତେ ନେବ ।

ଜାମ୍ବବର ଔଷଧିରେ ବର୍ତ୍ତିବି ମୁଁ ଜାଣ

ଲେଉଟି ରାବଣ ମାରିଯିବି ଶକ୍ତି ପୁଣ

ସେ ଯୁଗେ ତୁ ପାଶୁପତ ହେବୁ ଏକଘନି।

ରାବଣ ମାଇଲେ ମୋର ଯିବୁ ପ୍ରାଣ ଘେନି ।

ସେଠାରେ ପଡ଼ିବି ମୁହିଁ ଉତ୍ତାନ ଯେ ହୋଇ

ଜାମ୍ବବ ଯେ ଜୀଆଇବ ଅଉଷଧି ଦେଇ ।

ଏ ରୂପେ ଅନନ୍ତ କହଦ୍ୟନ୍ତେ ଭେଦସୂତ୍ର

ଶୁଣିଣ ସନ୍ତୋଷ ହୋଇଗଲେ ପାଶୁପତ ।

କଇଳାସ କନ୍ଦରରେ ପ୍ରବେଶିଲେ ଯାଇ

ଦେଖିଣ ତୂଣେ ରଖିଲେ ତାକୁ ଉମାସାଇଁ

ଏଥୁଅନ୍ତେ ସେ ଦାରୁଣ ଦୈତ୍ୟ ମହାବୀର

ଶେଷଦେବ ଯୁଦ୍ଧ ଦେଖି କମ୍ପେ ଥରହର ।

ବୋଇଲ ଏହି ମାନବ ନୁହେଁ କଦାଚିତେ

ଅଣବାହୁଡ଼ା ଶରୁ ସେ ବଞ୍ଚିଲା କେମନ୍ତେ ।

ପେଷିଲେ ବ୍ରହ୍ମାଙ୍କୁ ହେଳେ ପଡ଼ନ୍ତେ ସେ ଢଳି

ନ ପାରି ସେ ବ୍ରହ୍ମଶର ଗଲା କାହିଁ ଚଳି ।

ଭଲା ଅର୍ଜିଛୁରେ ଶେଷପଣ୍ଡା କେଡ଼େ ଭାଗ୍ୟ

ତେଡ଼େ ବ୍ରହ୍ମଶକ୍ତି ମେଣ୍ଟି ରଖିଲୁ ତୋ ଅଙ୍ଗ ।

ଏ ରୂପେ ବୋଲି ଦାରୁଣ ପ୍ରଜ୍ଜ୍ଵଳିତ ହୋଇ

ଲୁହାର ଯେ ଲକ୍ଷେଶର ବିନ୍ଧିଲାକ ନେଇ ।

ଦେଖିଣ ଅନନ୍ତସ୍ଵାମୀ ଉଠି କୋପାନଳେ

ତୀକ୍ଷ୍‌ଣଶର ପେଶି ତାହା ଛେଦିଲେ ତତ୍କାଳେ ।

ବିନ୍ଧିବା ଧନୁକୁ ତାର ଧରି ବେନିଭୁଜେ

ଭାଙ୍ଗିଣ ତା ବେନିଖଣ୍ଡ କଲେ ଦେବରାଜେ ।

କୌମୋଦକୀ ଗଦା ପୁଣି ଧଇଲେ କରରେ

ଗର୍ଜିଣ କୋପ ପିଟିଲେ ନେଇ ଦୈତ୍ୟଶିରେ ।

ଅସୁର ମୁଣ୍ଡେ ତା ପଡ଼ି ହେଲା ବେନିଖଣ୍ଡ

ଗଦାରୁ ଉଭାରୁ ଦୈତ୍ୟ ହେଲା ପରଚଣ୍ଡ ।

ଧାଇଁଣ ମାଇଲା ମୁଥେ ନେଇ ଶେଷଅଙ୍ଗେ

ସେ ମୁଥ ବଞ୍ଚାଇଣ ସେ ଉଠିଲେ ଉଦ୍‌ବେଗେ ।

ଦରାଣ୍ଡି ବେନି ଭୁଜରେ ଧଇଲେ ଦୈତ୍ୟକୁ

ବୁଲାଇଣ ଚକ୍ରପ୍ରାୟ ଫିଙ୍ଗିଲେ ସିନ୍ଧୁକୁ ।

ଚୌରାଶୀ କାଠି ଗଭୀର ଯେବଣ ସମୁଦ୍ର

ନ ମଲା ତହିଁ ପଡ଼ି ସେ ନଷ୍ଟ ଦୈତ୍ୟଇନ୍ଦ୍ର ।

ଘରୁ ଆସିଲା ପରାୟ ଧାଇଁଲା ଯୁଦ୍ଧକୁ

ଉପାଡ଼ି ପିଟିଲା ଶାଳବୃକ୍ଷ ଅନନ୍ତଙ୍କୁ ।

ଦେଖି ଅନନ୍ତ ଧଇଲେ ତାହା ବାମହସ୍ତେ

ଦୈତ୍ୟକୁ ପିଟିଲେ ଲେଉଟାଇ କୋପଚିତ୍ତେ ।

ଦେଖିଣ ଦାରୁଣ ଆଡ଼ିଲାକ ଭୁଜ ଦୁଇ

ଭାଜିଣ ପଡ଼ିଲେ ସେହି ତରୁ ଲୋଟି ମହୀ ।

ଲେଉଟି ଧାଇଁଲା ସମରକୁ କୋପେ ଦୈତ୍ୟ

ଧାମନ୍ତେ ବିଶ୍ଵରୂପେ ଅଦୃଶ୍ୟ ଛାୟାକାନ୍ତ ।

ମେଘ ଅନ୍ଧାର ପ୍ରାୟେକ ଦିଶେ ପୃଥ୍ଵୀଯାକେ

ଅସୁର ମାୟା କଥା ଯେ ଜାଣେ ତିନିଲୋକେ ।

ମାୟା ଅନ୍ଧକାର କରି କରିଲା ଆହାବ

ତା ଦେଖି କହିଲେ ଗରୁଡ଼କୁ ଶେଷଦେବ ।

ବୋଇଲେଟି ଗରୁଡ଼ ହେ ଦୈତ୍ୟକଲା ମାୟା

ଏଥକୁ ଯେ ବେଳେ ତୁହି ବଢ଼ା ବେଗେ କାୟା ।

ଶୁଣିଣ ତା ଗରୁଡ଼ ୟେ ବିସ୍ତାରିଣ ଡେଣା

ଲକ୍ଷେ ଯୋଜନ ବଢ଼ିଲା ହୋଇ ଅକଳନା ।

ବଦ୍ରିକାନଗ୍ର ଆନନ୍ଦବନ ଆଦି ତୋଟା

ସମସ୍ତଙ୍କୁ ଆଚ୍ଛାଦିଲା କଶ୍ୟପର ବେଟା ।

ଚକ୍ଷୁର ସେ ଦିବ୍ୟଜ୍ୟୋତି ପ୍ରକାଶ କରିଲା

ସୂର୍ଯ୍ୟ ଉଦୟ ପରାୟ ଉଜ୍ଜ୍ଵଳ ଦିଶିଲା

ଅସୁର କରିବା ମାୟା ଅସୁର ତା ଜାଣେ।

ଗରୁଡ ଉପରେ ରହିଅଛି ଘୋଟି ଏଣେ।

ସୁଜାଣ ମନ୍ତ୍ରୀ କର୍ଣ୍ଣାଟେଶ୍ଵର ମହୀପାଳେ

ନୃସିଂହଗଣ ଯେ ବସିଛନ୍ତି ସୁଖେ ତଳେ ।

ଛତ୍ର ଆକାରେ ଗରୁଡ଼ ଅଛି ପ୍ରଭୁ ପଦ୍ମ ଢାଙ୍କି

ତାହା ଜାଣନ୍ତେ ନୃସିଂହ ପ୍ରଭୁ ପଦ୍ମଆଖି ।

ମାତା ପିତାଙ୍କୁ ଏକଥା ନୁହଇ ଯେ ଜଣା

ଉପରେ ବିସ୍ତାରି ପକ୍ଷ ଟେକିଅଛି ଡେଣା ।

ଏଥିଉତ୍ତାରେ ଦାରୁଣ ଦୈତ୍ୟ ମହାବୀର

ପାଷାଣ ବୃଷ୍ଟି କରିଲା ଆଣି ଅଗୋଚର ।

ପବନ ଯେ ଅଣଚାଶ ବତାସ ଛାଡ଼ିଲା

ପ୍ରଳୟକାଳ ପରାୟ ଜଳ ବୃଷ୍ଟି କଲା ।

ଏଥିଉତ୍ତାରେ ଅନନ୍ତ ପୁଣି ବିଜେ କଲେ

ମାତାଙ୍କୁ ଦୃଶ୍ୟ ନ ହୋଇ ନୃସିଂହେ କହିଲେ

ବୋଇଲେ ମୁଁ ଦାରୁଣକୁ ଏବେ ମାରିବି କି

ନୃସିଂହ ବୋଇଲେ ଆଉ ବିଳମ୍ବ କାହିଁକି ।

ଶୁଣିଣ ସେ ଶେଷଦେବ ଗଲେ ସେହି ଭାଗେ

ଗରୁଡ଼ ଯେ ସଂହାରିଲା ନିଜ ପକ୍ଷ ଅଙ୍ଗେ ।

ଅସୁରର ମାୟା ଛନ୍ଦ ସବୁ ହେଲା ଭଙ୍ଗ

ଧଇଲେ ଅନନ୍ତ ବିଷ୍ଣୁରୂପ ବ୍ରହ୍ମଅଙ୍ଗ ।

ସୂର୍ଯ୍ୟର କୋଟିଏ ଗୁଣେ ପ୍ରକାଶିଲା ତେଜେ

ଭାଜିଲା ଅନ୍ଧାର ଦୃଶ୍ୟ ଉଦେ ଶୂନ୍ୟେ ସୂର୍ଯ୍ୟେ ।

ଦୈତ୍ୟକୁ ଦେଖି ଧାଇଁଲେ ଶେଷକୋପ କରି

ବୁଲାଇ ଚକ୍ର ଆକାର ଉଠି ବାଳ ଧରି ।

କଚାଡ଼ିଲେ ଯେ ମନ୍ଦର ପର୍ବତ ଉପର

ନ ମଲା ଦଇତ୍ୟ ଗିରି ଶତେ ହେଲା ଚୂର ।

ଦାରୁଣ ଉଠିଲା ତହୁଁ ହସି ଟହ ଟହ

ବୋଲଇ ଭଲାରେ ଶେଷ ଛେଚିଲୁ ମୋ ଦେହ ।

ଏ ରୂପେ ଛେଚିଲୁ ତୁ ନ ଭାଜେ ମୋର ଟାଣ

ତୁହି ମାତ୍ର ଛେଚି ଛେଚି ହୋଇଯିବୁ କ୍ଷୀଣ ।

ମୋତେ ତ ଅମର ବର ହରି ଛନ୍ତି ଦେଇ

ନ ବୁଝି କରୁଛୁ ବ୍ୟର୍ଥେ ଯୁଦ୍ଧ ଜାଣ ତୁହି ।

ଅଗ୍ନିରେ ମୁଁ ନ ପୋଡ଼ଇ ଜଳେ ନ ବୁଡ଼ଇ

ପବନରେ ନ ଉଡ଼ଇ ଖଡ଼ଗେ ନ ଛିଡ଼ଇ ।

ଏଥକୁ ଯେ ବୁଦ୍ଧିବଳ ଅଛି ତୋର କହ

ନୋହିଲେ ତ ଯୁଦ୍ଧଛାଡ଼ି ଗୃହେ ବେଗେ ଯାଅ ।

ଶୁଣିଣ ବିସ୍ମିତ ହେଲେ ତହୁଁ ଶେଷଦେବ

ବୋଇଲେ କି ରୂପେ ଚଣ୍ଡାଳର ଜୀବ ଯିବ ।

ଛାଡ଼ିଦେବି ଏବେ ପଛେ ପଳାଉ ଏ ପାପୀ

ରହୁ ଅମର ହୋଇଣ ଦୈତ୍ୟ କାମରୂପୀ ।

ଏ ରୂପେ ଶେଷ ପାଞ୍ଚନ୍ତେ ମନ ମଧ୍ୟେ ବାଣୀ

ଶୂନ୍ୟରେ ଥାଇ ଡ଼ାକିଲେ ଦେବ ସେହିକ୍ଷଣି ।

ବୋଇଲେ ହୋଇଛୁ ଭୃତ୍ୟଛଳେ ପ୍ରଭୁ ଜାତ

ମାର ଏହି ପାମରକୁ ମରୁ ବ୍ୟଗ୍ରେ ଦୈତ୍ୟ ।

ଯେ ରୂପେ ଏ ଚଣ୍ଡାଳର ହେବ ମୃତ୍ୟୁ ଜାଣ

ସେ କଥା କହିବୁ ଆମ୍ଭେ ସାବଧାନେ ଶୁଣ ।

ଅମର ବର ମାଗିଲା ଏହୁ ଯେତେବେଳେ

ଭୋଳରେ ବର ତାହାକୁ ଦେଲେ ଚନ୍ଦ୍ରଚୂଳେ ।

ଈଶ୍ଵର ବୋଇଲେ ପଛେ ଅମର ତୁ ହୁଅ

ଯେ ରୂପେ ହେବ ମୃତ୍ୟୁ ସେ କଥା ଶୁଣିଥାଅ ।

ସହସ୍ରେକ ଫଣା ତୁହି ଦେଖିବୁ ଯାହାର

ସେହି ଏକା ଘେନିଯିବ ପରାଣ ତୋହର ।

ଆବର ସଂସାରେ ଯେତେ ଛନ୍ତି ଦେହଧାରୀ

କୀଟରୁ ବ୍ରହ୍ମଯାଏ ନ ପାରେ କେହୁ ମାରି ।

ଶୁଣିଣ ଦାରୁଣ ଦୈତ୍ୟ ହେଲା ବଡ଼ ତୋଷ

ବୋଲେ ଏଡ଼େ ପ୍ରପଞ୍ଚେ କି ଜନ୍ମିବେ ମନୁଷ୍ୟ ।

କି ରୂପେ ଏକ ଦେହରେ ସହସ୍ରେକ ଫଣା

ଏକଥା ବ୍ରହ୍ମାଣ୍ଡେ ନାହିଁ ଚାରିଯୁଗେଲ ଜଣା ।

ଏଡ଼େ ପ୍ରପଞ୍ଚ କରିଣ ଯେବଣ ଜନନୀ

ଗର୍ଭରୁ ଜାତ କରିଣ ଅଛିଏ ମେଦିନୀ ।

ଜଠରେ ବହିଲେ ଯିବ ଉଦର ତ ଫାଟି

ଦୁର୍ଗମ କଥା ଅଟଇ ଏହି ଜନ୍ମଗୋଟି ।

ଏଡ଼େ ପୁରୁଷକୁ ଗର୍ଭେ କି ରୂପେ ଯେ ସ୍ତିରୀ

ସଂସାରେ ପ୍ରସବ କରି ନାହିଁ ତିନିପୁରୀ ।

ବୁଝିଲେ ବାରଅଙ୍ଗୁଳ ସବୁ ଗର୍ଭ ଅଟେ

ସହସ୍ରେ ଫଣାକୁ ସ୍ଥାନ ନାହିଁ କାହିଁ ମାତା ପେଟେ

ଏ ରୂପେ ପାଞ୍ଚି ଅନେକ ଦୈତ୍ୟ ଚିନ୍ତାକଲା

ଅପର କାଳର କଥା ବୋଲି ବିଚାରିଲା ।

ଶୁଣେ ଏ ରୂପେ କହନ୍ତି ଦେବେ ଶୂନ୍ୟବାଣୀ

ଶୁଣିଣ ପାଞ୍ଚନ୍ତି ହୃଦେ ଶେଷଦେବ ପୁଣି ।

ବୋଲନ୍ତି ତ ଭଲବର ମାଗିଥିଲା ଦୈତ୍ୟ

ମାନବ ଦେହେ କରିବ ଫଣା କେହ୍ନେ ଜାତ ।

ନୋହିଲେ ତ ନ ମରିବ ହେଲେ ଅସୁନ୍ଦର

କି ରୂପେ ଧରିବା ଏଡ଼େ ଫଣା କଳେବର ।

ସହସ୍ରେକ ଫଣା ହେବ ଦୁଇସସ୍ର ଆଖି

ଏକଥା ତ କହିଥିଲା ଆମ୍ଭଙ୍କୁ ଯେ ଲେଖି ।

ମରୁ ଏହି ଦୈତ୍ୟ ଆଗ ଧରିବ ସେ ଅଙ୍ଗ

ତହିଁ ଉତ୍ତାରୁ ବୁଝିବା ପଛେ ପରସଙ୍ଗ ।

ସହସ୍ର ଫଣା ପ୍ରକାଶ ହେବା ତେବେ କରି

ଏ ରୂପେ ପାଞ୍ଚି ବସିଲେ ସ୍ଵାମୀ ଯୋଗଧରି ।

ସହସ୍ରେ ନିଃଶ୍ଵାସ ଟେକି ଦେଲେ ନାସାଅଗ୍ରେ

ତାହାଦେଖି ଚମତ୍କାର ହେଲେ ପ୍ରାଣୀ ବେଗେ ।

ରେଚକ ପୁରକ ପୁଣି କୁମ୍ଭକ ଯେ ଯାହା

ଯେ ରୂପେ ସାଧନ କରି ପ୍ରକାଶିଲେ ଦେହା ।

ଏ ରୂପେ ଅନନ୍ତ ପ୍ରଭୁ ଦେଲେ ସସ୍ରଫଣା

ସହସ୍ରେକ ସୂର୍ଯ୍ୟପ୍ରାୟ ଦିଶେ ଜ୍ୟୋତିଜିଣା ।

ସଂସାର ରକ୍ଷା ପାଇଁକି ଦେଲେ ଶେଷମୂର୍ତ୍ତି

ଫଣାରେ ଯେ ବେନି ବେନି ନେତ୍ର ପ୍ରକାଶନ୍ତି ।

ସହସ୍ରେକ ଫଣାଯାକ ସସ୍ର ପଦ୍ମମୁଖ

ଶ୍ରବଣ ବେନି ସହସ୍ର ସସ୍ର ଗୋଟି ନାକ ।

ବେନିସହସ୍ର ବାହୁ ହେ ବେନିସସ୍ର ପାଦ

ଏ ରୂପେ ଅନନ୍ତ ବିଷ୍ଣୁ ସସ୍ରେଫେଣା ହୃଦ ।

ଫଣା ଗୋଟିକ ଦିଶଇ ଗିରିରାଜ ପ୍ରାୟ

ଦେଖିଣ ଲାଗିଲା ଦାରୁଣକୁ ମହାଭୟ ।

ପାଞ୍ଚିଲା ଏବେ ମୋହର ହେଲା ନିଶ୍ଚେ ମୃତ୍ୟୁ

ଶିବଙ୍କ କହିବା କଥା ଫଳିଲାକ ତତ୍ତ୍ଵ ।

ପୁଣି ମୁଁ ନ ଥିଲି ଯାହା ଦେଖିଲି ଯେ ରୂପ

ବ୍ରାହ୍ମଣ ନୁହଇ ଏହୁ ଅଟେ ବିଷ୍ଣୁ କଳ୍ପ ।

ଏ ରୂପେ ପାଞ୍ଚି କହନ୍ତେ ଦୈତ୍ୟ ଚକ୍ଷୁ ବୁଜି

ଉଠିଲେକ ଶେଷଦେବ ସସ୍ର ଫଣା ଗର୍ଜି ।

ଆକାଶକୁ ଢାଙ୍କି ବ୍ୟାପି ଟେକିଲେକ ଫଣୀ

ଗର୍ଜନ୍ତେ ଉଚ୍ଛୁଳେ ଫୁଫୁକାର ପୁର ତିନି ।

ସହସ୍ର ଲହରୀ ପ୍ରାୟ ଟେକି ବିଷଜ୍ଵାଳା

ସହସ୍ରେ ଫଣା ଫୁଲାଇ ଦେଇ ଶଙ୍ଖିନଳା ।

ସହସ୍ରେ ଫଣା ଫୁଲାଇ ଦେଇ ଏକାବେଳେ

ଦାରୁଣ ଉପରେ ମାଡ଼ି ବସିଲେ ତତ୍କାଳେ ।

ବ୍ରହ୍ମଲିଙ୍ଗରେ ବାଜିଲା ଯାଇ ଫଣାଦାଢ଼

ଛିଡ଼ିଲାକ ଆତ୍ମାଲିଙ୍ଗ ପଡ଼ି ଦୈତ୍ୟରାଢ଼ ।

ବିଷଘାତେ ଦାରୁଣର ପ୍ରାଣ ଗଲା ଛିଡ଼ି

ପଡ଼ିଲା ତିନିଯୋଜନ ଭୂମି ଦୈତ୍ୟମାଡ଼ି ।

ବାରୁଣଅନ୍ତେ ଯେ ଆଉ ଯେତେ ଦୈତ୍ୟ ଥିଲେ

ସମସ୍ତେ ବିଷଜ୍ଵାଳାରେ ଦହିର୍ଯ୍ୟ ହୋଇଲେ ।

ବାରତା ଦେବାକୁ ଦୈତ୍ୟ ଗୋଟିଏକ ନାହିଁ

ପଡ଼ିବା ଶବ କୃତିହା ଗଲେ ସବୁ ଦହି ।

ଦାରୁଣର ପିଣ୍ଡ ଆସି ସର୍ବ ଗଲେ ପୋଡ଼ି

ଗୁପତେ ଥିଲେ ଦାରୁଣ ଦୈତ୍ୟ ଚାରିଯୋଡ଼ି ।

କାଳ ବିକଳ ଯେ ବୋଲିକରି ବେନିଦୂତେ

ଯୁଦ୍ଧକୁ ଅନ୍ତର ହୋଇଥିଲେ ତ୍ରୋଶ ସାତେ ।

ମୁରର ପାଶକୁ ଧାଇଁଗଲେ କାନ୍ଦି କାନ୍ଦି

ପଳାନ୍ତି ଅସମ୍ଭାଳେ ନ ପାରି ଲୁଗା ପିନ୍ଧି ।

ରାଜାର ପାଶେ ମିଳିଣ ଯାଇ ବୁକୁ କୋଡ଼ି

ବୋଇଲେ ଭାଇ ତୁମ୍ଭର ଯୁଦ୍ଧେ ଗଲେ ପଡ଼ି ।

ଯେତେ ସେନାପତି ସୈନ୍ୟ ନେଇଥିଲେ ସଙ୍ଗେ

ସବୁଙ୍କୁ ଘେନି ପଡ଼ିଲେ ଆଜ ରଣରଙ୍ଗେ ।

ମୁର ବୋଇଲା ତୁମ୍ଭେ ରେ କହ ଆସି କିସ

ଭାଇ ମୋହର ମାରି କି ଆସିଲାରେ ଶେଷ ।

ଏ କଥା କହ ଶୁଣିବା ଆଗ ମନ ଦେଇ

ବଲ୍ଲଭ ପୁତ୍ରଙ୍କୁ ମାରି ଆସିଲା କି ଭାଇ ।

ରାଜାର ଏ ବାକ୍ୟ ଶୁଣି କହନ୍ତି ଯେ ଦୈତ୍ୟ

ବୋଇଲେକ ମିଥ୍ୟାଆମ୍ଭେ କହିପାରୁ ତୋତେ ।

ସୈନ୍ୟ ସହିତେ ଦାରୁଣ ଭାଇ ଯେ ତୁମ୍ଭର

ବିପ୍ରଙ୍କର ହସ୍ତେ ମରିଗଲେ ଯମପୁର ।

ଭୋ ଦେବ ଆମ୍ଭେ ମାୟାରେ ଥିଲୁ ଜାଣ ରହି

ତୁମ୍ଭଙ୍କୁ କହିବାପାଇଁ ଆସିଲୁ ଯେ ଧାଇଁ ।

ଶୁଣିଣ ମହୀରେ ଢଳି ପଡ଼ିଲାକ ରାୟେ

ଚକ୍ଷୁ ତରାଟି ଚାହିଁଲା ବେନିଦଣ୍ଡ ଯାଏ ।

ଜଗତୀ ଉପରୁ ପୁଣି ପଡ଼ିଲାକ ଢଳି

ସୁବିଜ୍ଞ ମନ୍ତ୍ରୀ ଧଇଲା ଉଠି ପୁଣି ତୋଳି ।

ମୁଖେ ସୁବାସିତ ଜଳ ସିଞ୍ଚିଲେକ ନେଇ

ଆଲଟ ଚାମର ଧୀରେ ଧୀରେ ଯେ ପକାଇ ।

ସ୍ତମ୍ଭରେ ବସାଇ ଆଉଜାଇ ନୃପନାଥ

ପିଣ୍ଡରୁ କି ପ୍ରାଣ ତାର ହେଲା କଣ୍ଠାଗ୍ରତ ।

ଘଡ଼ିକେ ଯାଇ ପଶିଲା ହୃଦେ ତାର ଚେତା

ପହରେ ଯାଏ ପୁଣି ନ ସ୍ଫୁରେ ତୁଣ୍ଡକଥା ।

ବିଭୋଳ ହୋଇଣ ରାଜା କାନ୍ଦେ ଲଟଗାଳି

ରାଜା ବେଶଯାକ ପଡ଼ିଲା ହୃଦୁ ଗଳି ।

ଭାଇର ଗୁଣକୁ ବସି କାନ୍ଦଇ ବାହୁନି

ବୋଇଲା ଦିବସ ଏବେ ହୋଇଲା ରଜନୀ ।

କେତେକ୍ଷଣି ଭାଇ ମୋର ଭାଙ୍ଗି ଗଲା ବଳ

ତୋହର ଘେନି ମାନି ନ ଥିଲି ବିପ୍ରକୁଳ ।

ଜୀବ ପରମ ଅଟନ୍ତି ଯେହ୍ନେ ଏକଅଙ୍ଗ

ସେ ରୂପେ ଭାଇ ତୁହିରେ ଅଟୁ ମୋର ଅଙ୍ଗ ।

ଆରେ ଭାଇ ତୁହି ମୋର ପ୍ରାଣ ପଞ୍ଚଭୂତେ

ଶିବ ଦେଲା ଧନୁତୋର ନ ଥିଲା କି ହାତେ ।

ତୋହର ଘେନି ପୁତ୍ରଙ୍କୁ ଥିଲି ମୁହିଁ ମୂର୍ଚ୍ଛି

କାହାକୁ ଘେନି ବସିବି ଏବେ ବୁଦ୍ଧି ପାଞ୍ଚି ।

ଗଲା ମୋ ବୟସ ଏବେ ହେଲୁ ନିରିମାଖି

ସମସ୍ତଙ୍କୁ ଥିଲି ମୂର୍ଚ୍ଛି ଭାଇମୁଖ ଦେଖି ।

ଏ ରୂପେ ବୋଲି ତାଡ଼ଇ ଭାଲେ ଦେଇ ପାଣି

ଜଗତୀରୁ ଗଡ଼ିତହିଁ ପଡ଼ିଲା ଧରଣୀ ।

ସୁବିଜ୍ଞ ମନ୍ତ୍ରୀ ଉଠାଇ ଧଇଲା ବେଗରେ

ବସାଇଲା ନୃପେ ନେଇ ସୁବର୍ଣ୍ଣ ପୀଢ଼ାରେ ।

ଏଥୁଅନ୍ତରେ ମିଳିଲେ ଆସି ଶୁକ୍ରଗୁରୁ

ରାଜାଙ୍କୁ ବୋଧି କହନ୍ତି ବାକ୍ୟ ପୁରାଣରୁ ।

ବୋଲନ୍ତି ରାଜା ବସିଛୁ କିମ୍ପା ଶୋକଭରେ

କେ କାହାର ଭାଇ ବୋହୂ ତାର ପୁତ୍ର ନାରୀ ।

ଏ ତିନିଠାରେ ପ୍ରାଣୀ ଯେ ସ୍ନେହ କରିଥାଇ

ମଲେଣି ଯାନ୍ତି ଦେହକୁ ଏହୁ ପୀଡ଼ାଦେଇ ।

ଏ ତିନିଲୋକେ ଅଟନ୍ତି ଜାଣ ବଡ଼ ଶତ୍ରୁ

କ୍ଷଣକେ ପଳାନ୍ତି ସ୍ନେହ ଛାଡ଼ି କୁଳଗୋତ୍ରୁ ।

ପତ୍ନୀକି ଅଟଇ ମାୟା ପୁତ୍ର ବୈରୀ ଅଟେ

ଭାଉ ଭଗାରୀ ଉପୁଜେ ଜାଣ ମାତା ପେଟେ ।

ଜୀବନ ଥିବ।ଯାକ ସେ କଳି କରୁଥାନ୍ତି

ବିଯୋଡ଼ି ହେଲେ ସେ ଘରୁ ଅଧେ ବାଣ୍ଟିନ୍ୟନ୍ତି ।

ଭାଇ ଭଗାରୀ ହୁଅନ୍ତି ଦୁହେଁ ଜାଣ ସରି

ଏ କଥା ନ ଜାଣି ଲୋକ ମରେ ଶୋକକରି ।

ଏ ତିନି କଥାରେ ବୁଝ ଆଉ ସାଧୁଜନେ

ସ୍ନେହ ନ କରି ଥାଆନ୍ତି ବିଷ୍ଣୁ ଚିନ୍ତି ମନେ ।

ତୁହି ନ ଜାଣିବା ରାଜା କରୁ କେତେ କୋହ

ଗଲା ମଲା କଥାରେ ନ କର କେବେ ସ୍ନେହ ।

ନୀରସ ଲୋକେ ଘେନିବେ ତେବେ ଅଳପକ

ବୋଲିବେ ଏ ରାଜା କରିଅଛି କେଡ଼େ ଶୋକ ।

କାହା ଭାଇ ଜାଣ କରୁ ନାହାନ୍ତି ବା କେତେ

ଥିଲାଲୋକ ନ ଛାଡ଼ନ୍ତି ଗୃହ କଦାଚିତେ ।

ଏ ରୂପେ ସଂସାରେ ହେଉଅଛି ଆତଯାତ

ଜୀଇ ଥିବା ଲୋକେ ମରୁଥାନ୍ତି ନାନାକୃତ୍ୟ ।

ଶତେ ବରଷର ବୃଦ୍ଧ ଥାନ୍ତି ଗୃହେ ବସି

ଯୁବା ପୁରୁଷମାନେ ତ ଘରୁ ଯାନ୍ତି ଖସି ।

ତେବେ ହେଁ ବୃଦ୍ଧ ଜାଣ ନ ଛାଡ଼େ ଗୃହଲୋଭ

କୁଟୁମ୍ବ ଖାଇବ ବୋଲି ସଞ୍ଚେ ଧନଦ୍ରବ୍ୟ ।

ଦାରୁଣ ମରିଲା ସିନା ତୁହି ଶୁଭେ ଅଛୁ

ଶୁଭ କଥାରେ ଅଶୁଭ କିମ୍ପା ଆଣି ପାଞ୍ଚୁ ।

ଜାଣିବା ଲୋକହୋଇ ତୁ କରୁ କେତେ ଶୋକ

ଚମକି ପଡୁଛି ତୋର ନାମେ ତିନିଲୋକ ।

ଆପେ ଯେବେ ଅଛୁ ତୁହି ସବୁ ତୋର ଅଛି

ଭାଇ ମରନ୍ତେ ଯେ ଦୈତ୍ୟଥିବା ଭାଇ ଲେଛି ।

ମଲା କଥାଟିକୁ ଶୋକ କରନ୍ତି ଯେମାନେ

ବାତୁଳ ବୋଲି ଘେନନ୍ତି ତାକୁ ସାଧୁଜନେ ।

ଗଲା କଥାକୁ ହେ ତ୍ୟାଗ କରିଦେବ ମୂଳ

ଚିନ୍ତାର୍ଥୀ ଲୋକଙ୍କୁ ଜାଣ ମାଡ଼ିବସେ କାଳ ।

ସଂସାରେ ଜନ୍ମି କେହି ନ ରହେ ଦେହଧରି

କେ ଆଗ ମରଇ କେହୁ ପଛେ ଯାଏ ମରି ।

ତୋତେ ତ ବର ଦେଇଣ ଅଛନ୍ତି ଈଶ୍ଵର

କେଡ଼େ ବର ପାଇ ତୁହି ଭାଳୁ ନୃପବର ।

ବାଳକ ପ୍ରାୟ ତୋତେ କେ ବସି ବୋଧୁଥିବ

ବାଳକ ନୋହୁ ଏଣେ ତ ତୁହି ଯୁବାଭାବ ।

ଏବେ ଯେ କହୁଛି ଆମ୍ଭେ କର ରାଜନୀତି

ଗୁରୁଙ୍କୁ ବଚନେ ମୁର କଲା କ୍ରୋଧ ଶାନ୍ତି ।

ଆସନ ତେଜ୍ୟା କରିଣ ବସି ନିଶମୋଡ଼ି

ବିସ୍ତାରିଣ ବେନିନୋହୁ ଛାଡ଼ି ଘୋରରଡ଼ି ।

ଗୁରୁଙ୍କୁ ମୁଖକୁ ଚାହିଁ ଭୂମେ ହାତ ପିଟି

ଯୋଜନ ଯାଏ ତଳକୁ ଭୂମି ଗଲା ଫାଟି ।

ଦେଖିଣ ଲୋକେ ସେ କଥା ଚକିତ ହୋଇଲେ

ସେ ଖାତେ ଲକ୍ଷେ ଭରଣ ମାଟି ପୁରାଇଲେ ।

ତେବେ ଯାଇ ସେହି ଭୂମି ହେଲା ସମତୁଲ

ମୁର ବୋଇଲା ଗୁରୁଙ୍କୁ ବଚନ ନିର୍ମାଲ୍ୟ ।

ଶୁଣିଲାକ୍ଷଣି ହୋଇଲା ଶୋକ ମୋର ଶାନ୍ତି

ନିଶ୍ଚେ ମାରିବି ନୃସିଂହ ଶେଷଦେବ ମୂର୍ତ୍ତି ।

ବଲ୍ଲଭପୁତ୍ରଙ୍କୁ ଧରି ବସାଇବି ଶୂଳେ

ବିପ୍ରଙ୍କ ବୋଧିଣ ପେଷିଦେବି ଯମଆଳେ ।

ବଦ୍ରିକା ନଗ୍ର ସମୁଦ୍ରେ ପେଲିଦେବି ମେଲି

ଏତେକ ଜାଣ କରିବି ଗଲେ ମୁହିଁ କାଲି ।

ଶୁକ୍ର ବୋଇଲେ ରାଜା ଏ କଥା ସତ ସିନା

କଲେ ସେହୁ ଅଳପ କି ବେନି ବିପ୍ର ନନା ।

ଦାରୁଣ ପରା ଭାଇକି ଗଲେ ତୋର ମାରି

ଧଇର୍ଯ୍ୟ ଥିବାରୁ ରହିଅଛି ଦେହଧରି ।

ମୁର ବୋଇଲା ଗୁରୁ ହେ ବୁଝିବା ତା ପଛେ

ବ୍ରାହ୍ମଣ କୁଳ ଆଉ ନ ରଖେ ମୁହିଁ ମଞ୍ଚେ ।

ଭାଇର ଶବକୁ ଆଗ କରିବା ସଂସ୍କାର

ତହିଁର ଉତ୍ତାରୁ ସବୁ କରିବା ବିଚାର ।

ଶୁକ୍ର ବୋଇଲେ ରାଜା ହେ ଏକଥା ପ୍ରମାଣ

ଦୂତକୁ ପଚାର କାହିଁ ଅଛି ପଡ଼ିଛି ଦାରୁଣ ।

ଜାଣିଲେ ସିନା ଆଣିବ ଶବ ଯାଇ ଲୋଡ଼ି

ଚନ୍ଦନ କାଠ ଅଗ୍ନିରେ ଲଦି ଦେବା ପୋଡ଼ି ।

ଶୁଣିଣ ସେ ମୃରାସୁର ଦୂତ ମୁଖ ଚାହିଁ

ବୋଇଲା କହରେ ଭ୍ରାତ ପଡ଼ିଅଛି କାହିଁ ।

ଶୁଣିଣ କହନ୍ତି ବେନିଦୂତ କରଯୋଡ଼ି

ବୋଲନ୍ତି ସମରେ ଜାଣ ସର୍ବେ ଗଲେ ଗଡ଼ି ।

ନିମିଷ ମାତ୍ର ନୃସିଂହଗଣ କାହୁଁ ଆସି

ମାରିଲେ ସୈନ୍ୟମାନଙ୍କୁ ରାହୁ ପ୍ରାୟ ଆସି ।

ଦେଖି ତୁମ୍ଭଭାଇ ଧାଇଁଗଲେ ବାହୁତୋଳି

ଲକ୍ଷେକ ଧରି ଗର୍ଭକୁ ତାଙ୍କୁ ଦେଲେ ଗିଳି ।

ବ୍ରାହ୍ମଣ ନୁହନ୍ତି ସେହୁ ହେବେ ଦିଗପାଳ

ଗିଳନ୍ତେ ପଡ଼ିଲେ ନାସା କର୍ଣ୍ଣୁ ଖସି ତଳ ।

କେତେହେଁ ରୂପେ ସେ ଯୁଝି ନ ପାରିଲେ ମରି

ବଦ୍ରିକା ଗଲେ ପୁଣ ସେ ତପୀ ରୂପ ଧରି ।

ମାୟାରସେ ଏ ରୂପ ଧରି ପଶିଲେ ନବରେ

ବଲ୍ଲଭ ରାଜାକୁ ଯାଇ ଫେଟିଲେ ତତ୍ପରେ ।

ଗୃହସ୍ଥ ପତ୍ନୀ ପୁତ୍ରକୁ ଆଣିଲେ ମଣାଇ

ବାଟରେ ଆସୁ ଧଇଲେ ପୁଣ ନିଜ ଦେହୀ ।

ଯେତେକ ମାୟାକଲେ ସେ ନୋହିଲେ ନିଊନ

ମାରିଣ ସୈନ୍ୟକୁ ଗଲେ ସେ ନୃସିଂହଗଣ ।

ଗୋଟିଏ ଅଛି ଗରୁଡ଼ ପକ୍ଷୀ ବୋହିକରି

ରହିଲା ସେ ଲକ୍ଷେଗୁଣ କାୟାକୁ ବିସ୍ତାରି ।

ଯେତେକ ବିନ୍ଧିଲେ ଶର ବାଜି ଅଙ୍ଗେ ତାର

ଧୂଳିପ୍ରାୟ ହୋଇ ଉଡ଼ିଗଲେ ଗଗନର ।

ଆବର ଜଣକେ ଅଛି କର୍ଣ୍ଣାଟେଶ ବୋଲି

ସେ ପୁଣି ମନକଲେ ଯେ ଗିରିପାରେ ପେଲି ।

ତଥାପି କରିବ ରଣେ ପଶି ଯେବେ ଯୁଦ୍ଧ

ତିନିଯୋଜନ ପର୍ଯ୍ୟନ୍ତେ ନାଚିବେ କବନ୍ଧ ।

ସୁଜାଣ ବୋଲିଣ କୃଷ୍ଣବଲ୍ଲଭ ମନ୍ତ୍ରୀ

ଚକ୍ଷୁ ପଲକେ ମାରିବ ଲକ୍ଷ ଲକ୍ଷ ଯନ୍ତ୍ରୀ ।

ଆବର ଶେଷଦେବଟି ଅଟେ ଜାଣ ଯେହୁ

କ୍ଷଣକେ ସହସ୍ର ଫଣା ହେଲା କହୁଁ କହୁଁ ।

ଶରୀରରରୁ ଫଣାଯାକ ବାଢ଼ିଲା କି କରି

ଛତ୍ର ଆକାରେ ଢ଼ାଙ୍କିଣ ରଖିଲା ବିସ୍ତାରି ।

ତେତିଶକୋଟି ଦେବତା ଦଶଦିଗପାଳ

ଫଣାମାନଙ୍କର ଆସି ବସିଲେ ସକଳ ।

ଯେ ଯାହାର ଜ୍ୟୋତି ଧରି ପ୍ରକାଶ ଫଣାରେ

ଗର୍ଜନ୍ତି ଯେ ଫୁଫୁକାରେ ଅଗ୍ନିପ୍ରାୟେ ବ୍ୟଗ୍ରେ ।

ସେ ଫଣାଯାକକୁ ଟେକି ନୃସିଂହର ଭାଇ

ଦାରୁଣ ଉପରେ ମାଡ଼ି ବସିଲାକ ଯାଇ ।

ସେ ଫଣାଯାକରେ ପଡ଼ି ଭାଇ ତୋର ମଲା

ତହିଁ ଉପରେ ଅନଳ ଶର ବିନ୍ଧିଦେଲା ।

ଦଶଯୋଜନ ପର୍ଯ୍ୟନ୍ତେ ପଡ଼ିଲାକ ମଡ଼ା।

କ୍ଷଣକେ ଗଲେ ଅଗ୍ନିରେ ସବୁ ହୋଇ ପୋଡ଼ା ।

ଦାରୁଣ ଆଦି ସମସ୍ତ ସୈନ୍ୟ ଗଲେ ପୋଡ଼ି

ଆସିଛୁ ଦେଖି କହୁଛୁ ଆମ୍ଭେ କରଯୋଡ଼ି ।

ଶୁକ୍ର ବୋଇଲେ ଗଲାରୁ ଆଉ ହେବ କିସ

ଏଠାରେ ହୁଅନ୍ତି ଅଗ୍ନି ଲାଭ ସ୍ତିରୀ ହଂସ ।

ଦାରୁଣର ମହାଦେଈ ଯେତେ ଦେହ ଲାଗି

ସମସ୍ତେ କରନ୍ତୁ ସ୍ଵାମୀ କାର୍ଯ୍ୟ ଯାଇ ବେଗି ।

ଶୁଣିଣ ସେ ମୃରାସୁର ମୁଦୁସୁଲୀ ରାଇ

ବୋଲେ କହ ଆଲୋ ସାନ ବୋହୁଙ୍କୁ ତୁ ଯାଇ।

ପଢ଼ନ୍ତୁ ସ୍ଵାମୀ ସନ୍ତକ ହରି ଅଗ୍ନିକୁଣ୍ଡେ

ଦେଖନ୍ତୁ ସମସ୍ତେ ଚାଲିଯାନ୍ତୁ ରାଜାଦାଣ୍ଡେ ।

ରାଜାର ବୋଲେ ପୋଇଲୀ ଗଲା ଅନ୍ତପୁର

ଚନ୍ଦ୍ରାବତୀ ରାଣୀ ଆଗେ କହେ ଯୋଡ଼ିକର ।

ଗୃହସ୍ଥ ମରିବା ବାର୍ତ୍ତା ପାଇ ରାଜାରାଣୀ

ଭୂମିରେ ପଡ଼ି ରୋଦନ କରେ ପୁଣି ପୁଣି ।

ଆହା ମୋର ସ୍ଵାମୀ ବୋଲି ଶିରେ ମାରେ କର

ପତିକାର୍ଯ୍ୟ କରିବାକୁ ଚଳିଲା ତତ୍ପର ।

ଚନ୍ଦ୍ରାବତୀ ତୁଲେ ଚଳିଗଲେ ଲକ୍ଷେ ନାରୀ

ସମସ୍ତେ ଅଟନ୍ତି ଦାରୁଣର ପରିବାରୀ ।

ଯେତେ ଚଳିଗଲେ ପଡ଼ିଗଲେ ଅଗ୍ନିଖାତେ

ତହିଁ ଉତ୍ତାରୁ ଦୁର୍ବଳ କର୍ମ କଲେ ଯେତେ ।

ବେଦମାର୍ଗ ଚାହିଁ କ୍ରିୟାକର୍ମ ସର୍ବ କଲେ

ଦଶ ଏକାଦଶ କରି ପିଣ୍ଡଦାନ ଦେଲେ ।

ପ୍ରେତକର୍ମ ସାରି ରାଜ ହେଲେ କୋପାନଳ

ଯିବାକୁ ଖୋଜିଲେ ବଦ୍ରିକାରୁ ଅନୁକୂଳ ।

ଏଥୁ ଅନନ୍ତରେ ପୁଣି ସେ ନାରଦ ଯତି

ବୋଇଲେ କହ ଯେ ଶେଷଦେବଙ୍କର କୀର୍ତ୍ତି ।

ଦାରୁଣକୁ ମାରି ପ୍ରଭୁ କଲେ ଆଉ କିସ

ଏ କଥା କହ ଶୁଣିମା ବଡ଼ ଏ ରହସ୍ୟ ।

ନାରଦ ଭକ୍ତିରେ ବ୍ରହ୍ମା ହୋଇଣ ପୂରିତ

କହନ୍ତି ଶେଷଦେବଙ୍କ ମହିମା ଚରିତ ।

ବୋଲନ୍ତି ହେ ସାବଧାନେ ଶୁଣ ଗ୍ରନ୍ଥବାଣୀ

ମନୁଷ୍ୟ ଦେହରେ ଶେଷ ହେଲେ ସପ୍ତଫେଣୀ ।

ଦାରୁଣ ଦୈତ୍ୟକୁ ମାରି ମନେ କୋପହୋନ୍ତି

ଶୂନ୍ୟରେ ଥାଇ ନମନ୍ତି ଦେବେ ପାଦଗତେ ।

ବ୍ରହ୍ମା ଶଙ୍କର ବାସବ ଆଦି ଦଇବତ

ବରୁଣ ଯେ ଯମ ଧର୍ମ ମରୁତ ନୈର୍ଋତ ।

କୁବେର ଯେ ଅଗ୍ନିଚନ୍ଦ୍ର ଦେବ ଦିବାକର

ଅନନ୍ତ ପାଶେ ଆସି ଏ କଲେ ନମସ୍କାର ।

ବୋଇଲେ ପ୍ରଭୁ ଅନନ୍ତ ତୁମ୍ଭେ ବ୍ରହ୍ମରାଶି

ତୁମ୍ଭର ଘେନି ହୋଇଛୁ ଆମ୍ଭେ ସ୍ଵର୍ଗବାସୀ ।

ତୁମ୍ଭର ମୂରତି ତୁମ୍ଭ ଅଶେଷ ମହିମା

କେ ମୁଖରେ କହିପାରେ ତୁମ୍ଭ ଗୁଣସୀମା ।

ସସ୍ରଫଣାକୁ ତୁମ୍ଭ କିଦେବା ଆଣି ଲକ୍ଷ୍ୟ

କୋଟିରନ୍ଧ୍ରେ କରଣଟି ଯହିଁ ହେବ ତୁଚ୍ଛ ।

ସହସ୍ରେକ ସୂର୍ଯ୍ୟ ଜ୍ୟୋତି ଦିଶେ ଯହିଁ ଫୁଟି

ତହିଁକି ସଂସାର ଆଉ ଲକ୍ଷ୍ୟ ନ ମିଳେଟି ।

ଧାତା ରୁଦ୍ର ଇନ୍ଦ୍ରଙ୍କର ପ୍ରଳୟ ଯେ ହୁଏ

ତୋହର ନାଥ ପ୍ରଳୟ କେବେ ଜାଣ ନୁହେଁ ।

କୋଟିଏ ସୂର୍ଯ୍ୟକୁ ଜିଣି ପ୍ରକାଶେ ତୋ ଜ୍ୟୋତି

ତେଣୁ ତୁମ୍ଭ ନାମ କୋଟି କାମପାଳ ମୂର୍ତ୍ତି ।

ଯାବତ ଜୀବମୁଖେ ତୋ ଜିହ୍ଵା ଖଞ୍ଜା ସିନା

ପ୍ରସବ କରି ପୁତ୍ରକୁ ଯେହ୍ନେ ଆଶ୍ଵାସନା ।

ତୋର ଫଣା ରସନାରେ ଜାଣ ପୃଥ୍ଵୀଯାକ

ଆପଣାର ଜିହ୍ଵା ରସୁ ବର୍ତ୍ତନ୍ତୁ ଯେ ଲୋକ ।

ବ୍ରହ୍ମା ବିଷ୍ଣୁ ହର ଆଦି ଦେବତା ଯେ ଅଛୁ

ତୋ ଜିହ୍ଵାର ସ୍ଵାଦୁ ପାଇ ସର୍ବେ ଆମ୍ଭେ ବଞ୍ଚୁ ।

ବୁଝିଲେ ତ ସର୍ବେ ଆମ୍ଭେ ତୋର ବାଳଶିଶୁ

ଲୀଳା ସରିଲେ ଅଙ୍ଗରେ ଯାଇ ତୋର ମିଶୁ ।

ଏଡ଼େହେଁ ପୃଥ୍ଵୀ କରିବୁ ସୃଜି ଯେବେ ନାଶ

ପିତା ଅବୋଧ ହୋଇଲେ କରେ ପୁତ୍ର କିସ ।

ସ୍ଵାମୀ ଅବୋଧ ହୋଇଲେ ଭାର୍ଯ୍ୟା ଦୁଃଖପାଇ

ଶିଶୁ ଅବୋଧ ହେଲେ ନପାରେ ବୋହୂ ରହି ।

ଗୁରୁ ଅବୋଧ ହେଲେ କି ପାରେ ଶିଷ୍ୟ ବୋଧି

ରୋଗୀ ଅବୋଧ ହେଲେ କି ହେବ ପଥି ରାନ୍ଧି।

ମାତା ଅବୋଧ ହେଲେ ସେ ଝିଅପଣ ଊଣା

ଘର ସୁଖ ନ ପାଇ ସେ କରେ ମନେ ଘୃଣା ।

ଭାଇ ଭାଉଜ ଆଦର ତାକୁ ନ କରନ୍ତି

ମାତା ଅବୋଧ ହେଲେ ଯେ କନ୍ୟା ଦୁଃଖପାନ୍ତି।

ଜ୍ଞାନୀ ଅବୋଧ ହେଲେ ଅଜ୍ଞାନୀ ହୋଇ ଭ୍ରମ

ବ୍ରହ୍ମ ସ୍ଵରୂପେ ଚିହ୍ନି ନ ପାରେ ଆତ୍ମାରାମ ।

ସାହୁ ଅବୋଧ ହେଲେ ନ ପାରେ ଋଣଶୁଝି

ନିତି କଳହ ହୋଇଲେ ଘର ଯାଏ ଭାଜି ।

ପଣ୍ଡିତ ଅବୋଧ ହେଲେ ପୁରାଣ ନ କହି

ପ୍ରତିଗ୍ରାହୀ ଅବୋଧେ ନ ପାରେ ଦାନଦେଇ ।

ରାଜା ଅବୋଧ ହେଲେ ଯେ ପ୍ରଜା ବଡ଼ଦୁଃଖୀ

ସୁରତୁ ଅବୋଧ ହେଲେ ଭାର୍ଯ୍ୟା ନୋହେ ସୁଖୀ ।

ସାମନ୍ତ ଅବୋଧରେ ନ ପାରେ ଭୃତ୍ୟ ରହି

ପତୁ ଅବୋଧେ ପତ୍ନୀର ଦିନ ନ ସରଇ ।

ବ୍ୟାଧି ଅବୋଧ ହେଲେ ଯେ ସରଇ ସେ ଗୋତ୍ର

ସିନ୍ଧୁ ଅବୋଧ ହେଲେ ଯେ ପୃଥ୍ଵୀ କେତେ ମାତ୍ର ।

ଆପେ ଅବୋଧ ହୋଇଲେ ପାରିବ କେ ବୋଧି

ରଖ ବା ନ ରଖ କହୁଅଛୁ ଦେବେ ବନ୍ଦି ।

ଆବର ଶୁଣ ହେ ସ୍ଵାମୀ କହୁଛୁ ସନ୍ଦେଶ

ବିଧାତା ପୁତ୍ର ପରା ସେ ଦାରୁଣ ରାକ୍ଷସ ।

ବୁଝିଲେ ଦାରୁଣ ସେହି ବିପ୍ର ନୁହଇ କି

ମନୁଷ୍ୟ ହେଲେ ଆପଣ ମାରନ୍ତ କାହିଁକି ।

ସହସ୍ରେ ଫଣା ହେବାର ନ ଲାଗିଲା ଦୋଷ

ଆନ ମାରିଥିଲେ କରିଥାନ୍ତା ତୀର୍ଥବାସ ।

ବ୍ରାହ୍ମଣ ଭୋଜନ ଲକ୍ଷେ କରନ୍ତାଣି ଲୋଡ଼ି

ଆପଣଙ୍କ ମୂର୍ତ୍ତି ଦେଖି ଗଲା ଦୋଷ ଛାଡ଼ି ।

ଶୁଣିଣ ଅନନ୍ତସ୍ଵାମୀ କଲେ କୋପଶାନ୍ତି

ବୋଇଲେ ସତ୍ୟ କଥାଏ ହୋନ୍ତା ଲୋକେ ଖ୍ୟାତି ।

ବୁଝିଲେ ସଂସାରେ ଜନମୁଖେ ନାହିଁ ଲାଜ

ଲାଗଇ ଦେହେ ସରନ୍ତା ସିନା ମୋର କାର୍ଯ୍ୟ ।

ଏମନ୍ତ ପାଞ୍ଚି ସହସ୍ରେ ଫଣାଧରି ରୂପ

ନେଇ କ୍ଷଣେ ମାତ୍ରେ କଲେ ଶରୀରରେ ଗୋପ୍ୟ ।

ତତକ୍ଷଣେ ନିଜଦେହ ଧରି ଅନନ୍ତଟି

ଦେଖି ବ୍ରହ୍ମା ଇନ୍ଦ୍ର କଲେ କୁସୁମ ଯେ ବୃଷ୍ଟି ।

ପୁଷ୍ପକ ରଥରେ ବସାଇଲେ ଶେଷଦେବ

ଧବଳ ଛତ୍ରକୁ ଧରି ଟେକିଲେ ବାସବ ।

ବେଦପତି ବେଦପଢ଼ି ତହିଁ ହେଲେ ଉଭା

ଡମ୍ବରୁ ବଜାଇ ଆଗେ ହର କଲେ ସେବା ।

ଦେବସ୍ତିରୀମାନେ ଧରି ପୁଷ୍ପ ମାଳେ ମାଳେ

ଲମ୍ବାଇ ଦେଲେ ଯେ ଶେଷଦେବ କଣ୍ଠସ୍ଥଳେ ।

ପବନ ଦେବ ଚଳାନ୍ତି ଚାମୁରକୁ ଢାଳି

କରନ୍ତି କୁବେର ସେବା ଦେଇ ରତ୍ନମାଳି ।

ବରୁଣ ଦେବତା ଆସି ଧରି ତାଳମାନ

ବଜାନ୍ତି ଅନନ୍ତ ଚାରିପାଶେ ଘନ ଘନ ।

ବୃହସ୍ପତିଙ୍କର ମୂଳେ ସର୍ବେ ବିପ୍ରେ ଆସି

ପଡ଼ନ୍ତି ଅଷ୍ଟକମାନ ଯେଝା ମୁଖେ ଘୋଷି ।

ସ୍ଵର୍ଗର ଯେ ଅପସରୀ ଆସି ଶେଷ ଆଗେ

ନାଚନ୍ତି କର ଭଉଁରି ମାରି ନୃତ୍ୟ ରଙ୍ଗେ ।

ନାରଦ ବୀଣା ବଜାଇ ଗାନ୍ତି ଟେକି ନିଶ

ପୁରାଣ ପଢ଼ନ୍ତି ବ୍ୟାସଋଷି ଅଷ୍ଟାଦଶ ।

ଅଗ୍ନି ଦେବତା ଆସନ ଆଣି ଦେଲା ସାଜି

ପଢ଼ନ୍ତି ଯେ ନବଗ୍ରହ ଫେଡ଼ି ଆଗେ ପାଞ୍ଜି ।

ରୋହିଣୀକାନ୍ତ ଯାଇଣ ଟେକେ ଶ୍ଵେତ ଛତ୍ରି

ବୀର କାହାଳୀ ଧରିଣ ଆଦିତ୍ୟ ବଜାନ୍ତି ।

ବସୁଧାସୁତ ବିଡ଼ିଆ ଆଣି କଲେ ଲାଗି

ନାଶକର ଗୁଆମାନ ଦିଏ ବେଳ ଜଗି ।

ରତ୍ନା ପାଦୁକା ଯେ ବେନି ଦେଲେ ନଇର୍ଋତ

ସାମ ଗାନ କଲେ ଆଗେ ସରସ୍ଵତୀ ମାତ ।

ଯୋଗକରଣ ଯେ ସାମଆଦି ସମ୍ବସ୍ରର

ଏମାନେ ଲାଗିଲେ ସର୍ବେ ଖଞ୍ଜାରେ ଯେଝାର ।

ସକଳ ଦେବତା ସଜ ଏ ରୂପରେ ହୋଇ

ବିଞ୍ଚିଲେ କର୍ପୂର ଚୂର୍ଣ୍ଣ ଶେଷ ପରେ ନେଇ ।

ବଇଁଶୀ ବେଣୁ ବୀଣାଦି ଶଦ୍ଦକର ଘୋର

ନୃସିଂହଙ୍କ କରତାଳି ବାଜେ ଅଗୋଚର ।

ନାନା ଉତ୍ସବ କରିଣ ସର୍ବ ଦେବେ ବେଢ଼ି

ଚାଲନ୍ତି ଯେ ଆଗପଛ ଶେଷ ପାଦେ ପଡ଼ି ।

ମଣିମା ମଣିମା ବୋଲି ସର୍ବ ମୁଖେ ଭାଷେ

ଗହଣେ ଅନନ୍ତ ପ୍ରଭୁ ମହୀପରି ଦିଶେ ।

ଭେଟିଲେ ଆନନ୍ଦ ବନେ ବସି ଆସି ନୃସିଂହଙ୍କୁ

ହସିଲେ ନୃସିଂହ ପ୍ରଭୁ ତହିଁ ଦେବତାଙ୍କୁ ।

ଧାତା ଋଷି ରୁଦ୍ର ଇନ୍ଦ୍ର ଆଦି ଦିଗପାଳ

ଏହାଙ୍କୁ ଦେଖି ସନ୍ତୋଷ ହେଲେ ଆଦିମୂଳ ।

ଅନନ୍ତ ଚାଳି ଗୁଣ୍ଡିଚାଯାତ୍ରା ବିଷ୍ଣୁ ପ୍ରାୟେ

ଶେଷକୁ ଘେନି ମିଳିଲେ ଆଗେ ଦେବତାଏ ।

ପୁତ୍ରକୁ ଦେଖି ଧଇଲେ ମାଏ କୋଳ କରି

ବଦନ ଚୁମ୍ବିଣ କୃଷ୍ଣବଲ୍ଲଭର ନାରୀ ।

ଶେଷଙ୍କୁ ନ ଦେଖି ଭାଳୁଥିଲେ ବାପ ମାଏ

ଦେବତାମାନେ କରନ୍ତି ଦେଖି ଜୟେ ଜୟେ ।

ଏଥିଉତ୍ତାରେ ଯେ ଶୁଣ ନାରଦ ମହର୍ଷି

ନୃସିଂହଙ୍କୁ ପୂଜା କଲେ ଦେବତାଏ ଆସି ।

ବ୍ରହ୍ମାଏ ନୃସିଂହ ପାଦେ ହୋଇ ଗଦଗଦ

କହନ୍ତି ଯେ କରଯୋଡ଼ି ସେବି ପଦ୍ମପାଦ ।

ବୋଲନ୍ତି ଶୁଣ ନୃସିଂହ ପ୍ରଭୁ ନାରାୟଣ

ତୁମ୍ଭ କରୁଣାରୁ ମଲା ଏହି ଦୈତ୍ୟ ପୁଣ ।

କେହ୍ନେ ମୁରକୁ କରିବ ତୁମ୍ଭେ ଏବେ ନାଶ

ତୁମ୍ଭଙ୍କୁ ସିନା ଜଣା ଏ କଥା ହୃଷୀକେଶ ।

ଆନଲୋକ ପାରନ୍ତେ କି ଏହି ଦୈତ୍ୟମାରି

ଯେବଣ ଦଇତ୍ୟ ବେନି ପୃଥ୍ଵୀ ହନ୍ତାକାରୀ ।

କାଠିଏକ ପରିଯନ୍ତେ ଯାହାର ସୈନ୍ୟ ଲେଖା

ତାହାକୁ ନାଶିବାକୁ ହେ ତୁମ୍ଭେ ମୂଳ ଏକା ।

ବହୁତ ନୃସିଂହଗଣ ଅଙ୍ଗେ ଛନ୍ତି ପୂରି

ଦେବତାଯାକ ଦେଖିଲୁ ବସି ସଭା କରି ।

ବୃହସ୍ପତିଙ୍କର ହସ୍ତେ ଦେଇ ଖଡ଼ିରାଜି

ଅଙ୍ଗକୁ ସ୍ଥାପିଣ ସର୍ବେ ନ ପାରିଲୁ ହେଜି ।

ଆଦ୍ୟ ଏକରୁ ଯେ ଦଶ ଦଶରୁ ଯେ ଶତେ

ଶତରୁ ସହସ୍ର କରି ଦେଖିଲୁ ଅୟୁତେ ।

ଅଇବ୍ରତରୁ ଯେ ଲକ୍ଷେ ଲକ୍ଷୁ ନିୟୁତଟି

ନିୟତରୁ ଖୋଜି ଲେଖି ବସାଇଲୁ କୋଟି ।

କୋଟିରୁ ମର୍ଭୁତେ ମର୍ଭୁତରୁ ମେବଚ୍ଛଟି

ଶୁଣ ନାରଦ କହନ୍ତି ଦେବ ପରମେଷ୍ଠି ।

ମେବଚ୍ଛରୁ ବୃନ୍ଦେ ବୃନ୍ଦେରୁ ଯେ ଖର୍ବେ କହି

ଖର୍ବରୁ ନିଖର୍ବ ନିର୍ଖବରୁ ଶଙ୍ଖ ହୋଇ ।

ଶଙ୍ଖ ପରେ ପଦ୍ମ ପଦ୍ମ ପରେ ସାଗରଟି

ସାଗରୁ ଯେ ମଧ୍ୟେ କହି ମଧ୍ୟୁ ପରାର୍ଦ୍ଧଟି ।

ପରାର୍ଦ୍ଧରୁ ଅକ୍ଷୌଣୀରୁ ଅଙ୍କୁଶ ଯେ ତହୁଁ ବିକ୍ଷୌଣଟି ବିକ୍ଷୌଣୀରୁ ଅଙ୍କୁଶ ଯେ ତହୁଁ କନ୍ଦଳଟି ।

କନ୍ଦଳରୁ ଅନନ୍ତ ଯେ ତହୁଁ ଲେଖିକରି

ଏରୂପେ ତୁମ୍ଭ ମହିମା ଗୋଟି ଅଛି ପୂରି ।

ଏଡ଼େ ମହିମା ନୁହନ୍ତା ହେବେ ପ୍ରଭୁଙ୍କର

ଆମ୍ଭେ କି ସଂସାରେ ରହିଥାନ୍ତୁ ବ୍ରହ୍ମା ହର ।

ଶୁଣି ନୃସିଂହ ପ୍ରଭୁ ଶ୍ରୀମୁଖପଦ୍ମେ ହସି

ବ୍ରହ୍ମାଙ୍କୁ କହିଲେ କହ ମାତାମନ ତୋଷି ।

ଶୁଣିଣ କହିଲେ ଆଜ୍ଞା ପାଇ ପଦ୍ମ ଯୋନି

ବୋଇଲେ ଭଗବତୀ ଗୋ ଶୁଣ ପୁଣ୍ୟ ଧ୍ଵନି ।

କୃପିଟଯୋନି ଗର୍ଭରୁ ଜନ୍ମି ଜନହିତେ

ଅଯୋନି ସମ୍ଭୁତ ବିଷ୍ଣୁ ବହି ଗର୍ଭଗତେ ।

ସାକ୍ଷାତେ ସେ ମହାପ୍ରଭୁ ଆସି ବୈକୁଣ୍ଠରୁ

ସାଧୂଙ୍କ ହିତେ ଜନ୍ମିବେ ଆସି ତୋ ଜଠରୁ ।

ପୃଥ୍ଵୀର ଭାରା ସହି ନ ପାରି ଭଗବାନ

ତେଣୁ ତୋ ଗର୍ଭରେ ଆସି ହେଲେ ଯୋନିଜନ୍ମ।

ଅଛନ୍ତି କେବଣ ମହାପ୍ରଭୁ ନିଜ ଦେଖି

ପଚାଶକୋଟି ପୃଥ୍ଵୀରେ ପୂରିଛନ୍ତି ରହି ।

ସେ ହରିଙ୍କୁ ବହିଲୁ ତୁ ଯେଣୁ ଦଶମାସ

ଆମ୍ଭେ ଜାଣିଲୁ ସେ ଭାରା ହୋଇଲା ଉଶ୍ଵାସ ।

ଆପଣ ଘେନି ରହିଲୁ ଆମ୍ଭେ ଏବେ ଗତି

ସଂସାରେ ବିଷ୍ଣୁ ବୋଲି ନଥିଲା ଜନ୍ମକୀର୍ତ୍ତି ।

ପୃଥ୍ଵୀରେ ରହିଲା ଏହିଠାରୁ ନାମ ଆସି

ନୃସିଂହ ବାମନ ନାରାୟଣ ବ୍ରହ୍ମରାଶି ।

ଅନାଦି ଯେ ଆଦିକନ୍ଦ ଅଚ୍ୟୁତ ନୃହରି

ଗୋବିନ୍ଦ ଶ୍ରୀ ଗୋପୀନାଥ ମାଧବ ଦୈତ୍ୟାରି ।

ଶ୍ରୀଧର ଶ୍ରୀ ଦାମୋଦର ଦୟାମୟ ସିନ୍ଧୁ

ଶ୍ରୀବତ୍ସ କେଶବ ଚକ୍ରପାଣି ଦୀନବନ୍ଧୁ ।

କୃପାଳୁ ଶ୍ରୀ ବାସୁଦେବ କୃଷ୍ଣ ଶ୍ରୀନିବାସ

ମୁକୁନ୍ଦ ମୁରାରି ରାମ କମଳା ବିଳାସ ।

ପତିତପାବନ ହରି ଜଗନ୍ନାଥ ସ୍ଵାମୀ

ଭକତର ଭାବଗ୍ରାହୀ ଅଟୁ ଅନ୍ତର୍ଯ୍ୟାମୀ ।

ଶାରଦାବଲ୍ଲଭ ମଧୁସୂଦନ ଯେ ଗୁରୁ

ଏତେକ ନାମ ପଢ଼ିବେ ଯେହୁ ପ୍ରଭାତରୁ ।

ଯେ ପଢ଼ି ପାରିବ ପାପ ଖଣ୍ଡନ ତା ହେବ

ରଖିବେ ବୈକୁଣ୍ଠପୁରେ ନେଇ ବାସୁଦେବ ।

ସକଳ ନାମ ଅଟଇ ତୋହର ଯେ ବତ୍ସ

ଆବକ ଯେତେକ ନାମ ଅଟେ ସବୁ ମିଛ ।

ତୁମ୍ଭର ଗର୍ଭୁ ଜନ୍ମିଲେ ମାଗୋ ନୃସିଂହଟି

ଏ ନାମ ଭଜି ସଂସାରଲୋକେ ତରିବେଟି ।

ନିରାକାର ବ୍ରହ୍ମକୁ ଆକାର କଲ ଆଣି

ପ୍ରତ୍ୟକ୍ଷେ ଆଦିମାତା ତୁ ଗର୍ଭବତୀ ରାଣୀ ।

ଦ୍ଵିତୀୟ ଜନ୍ମେ ଅଦିତି ମାଗୋ ଅଟୂ ତୁହି

ଜନ୍ମିଲେ ନୃସିଂହ ଦେବ ବାମନ ଯେ ହୋଇ ।

ତୃତୀୟେ ଜନ୍ମେ କୌଶଲ୍ୟା ଜାଣ ତୁହି ହେବୁ

ଶ୍ରୀରଘୁନାଥଙ୍କୁ ତୁହି ଗର୍ଭୁ ପ୍ରସବିବୁ ।

ଚତୁର୍ଥ ଜନ୍ମେ ଦେବକୀ ହେବୁ ପୁଣି ତୁହି

କରିବୁ ଶ୍ରୀକୃଷ୍ଣ ଅବତାର ଗର୍ଭେ ବହି ।

ଏ କୃଷ୍ଣବଲ୍ଲଭ ଜାଣ କଶ୍ୟପ ଯେ ହେବ

ତୃତୀୟେ ଦଶରଥ ଚତୁର୍ଥେ ବାସୁଦେବ ।

କାଳେ କାଳେ ତୁମ୍ଭେ ବେନି ଅଟୁ ଅଟ ପତିପତ୍ନୀ

ତୁମ୍ଭ ରଜ ବୀର୍ଯ୍ୟ ବିଷ୍ଣୁ ଜନ୍ମହେବ ଘେନି ।

ଆଦ୍ୟ ଜନ୍ମଲୀଳା ଏହୁ ନୃସିଂହାବତାର

ବହିବେ ମୁରାରି ନାମ ମାରି ମୁରାସୁର ।

ଏ ମୁର ଆହୁରି ଜନମିବେ ତିନିବେଳ

ହିରଣ୍ୟ ରାବଣ ଅନ୍ତେ ହେବ ଶିଶୁପାଳ ।

ବୈକୁଣ୍ଠ ପୁରର ଦ୍ଵାରୀ ଏହି ଭାଇ ବେନି

ଶାପରୁ ଜନ୍ମିଅଛନ୍ତି ଦୈତ୍ୟ ଦେହ ଘେନି ।

ଏହାଙ୍କର ଭାରା ପୃଥ୍ଵୀ ନ ପାରନ୍ତେ ସହି

ତେଣୁକରି ଏ ନୃସିଂହ ଜନ୍ମିଲେ ତୋ ଦେହୀ ।

ଶେଷ ବୋଲି ଯାର ନାମ ଅଟେ ନିରାକାର

ନୃସିଂହର ବାଳଲୀଳା ଏହୁ ଅବତାର ।

ଏହି ନୃସିଂହଟି ଯାଇ ସ୍ତମ୍ଭେ ପ୍ରକାଶିବେ

ହିରଣ୍ୟକୁ ମାରି ପୁଣି ବୈକୁଣ୍ଠକୁ ଯିବେ ।

ବାମନ ରୂପରେ ପୁଣି ହେବେ ଅବତାର

ବଳିକୁ ପାତାଳେ ସ୍ଥାପି ରଖିବେ ତ୍ରିପୁର ।

ରାମ ଅବତାରେ ହେବେ ତ୍ରେତାଯୁଗେ ଯାଇ

ତୁମ୍ଭର ଗର୍ଭୁ ଜନ୍ମିବେ ଏହି ଭାବଗ୍ରାହୀ ।

ରାବଣକୁ ମାରିକରି ବୈକୁଣ୍ଠକୁ ଯିବେ

ଦ୍ଵାପରଯୁଗେ ପୁଣି ତୋ ଗର୍ଭେ ଜନମିବେ ।

ନାଶିବେ ଶ୍ରୀକୃଷ୍ଣରୂପେ ଜନ୍ମି କଂସ କେଶୀ

ଛେଦିବେ ଶିଶୁପାଳକୁ ପ୍ରଭୁ ଚକ୍ରପେଷି ।

ଏରୂପେ ଅସୁରେ ଯିବେ ଚାରିଥର ମରି

ଲେଉଟି ବୈକୁଣ୍ଠପୁରେ ହେବେ ସିଂହଦ୍ଵାରୀ ।

ଏ ଘେନି ଏ ଭଗବାନ ହ୍ଵନ୍ତି ତୁମ୍ଭ ବଳା

ପ୍ରଭୁଙ୍କର ଆନ ଘରେ କହେଁ ଜନ୍ମଲୀଳା ।

ଶୁଣିଣ ହସିଲେ ତୋଷମନେ ଭଗବତୀ

ବୋଇଲେ ସବୁରି କର୍ତ୍ତା ତୁମ୍ଭେ ପ୍ରଜାପତି ।

ଏ ମୃର ଦୈତ୍ୟ ନୁହନ୍ତା ଯେବେ ତୁମ୍ଭ ସୁତ

ମୁଁ କିମ୍ପାଇଁ ଅଗ୍ନି ଗର୍ଭୁ ହ୍ଵନ୍ତି ଆସି ଜାତ ।

ଗୋବିନ୍ଦ ହେଲେ ଜନ୍ମନ୍ତେ କିମ୍ପା ମଞ୍ଚପୁର

ଏହି ସବୁ ଖେଳ ବ୍ରହ୍ମା ଅଟେ ଜାଣ ତୋର ।

ବିଧାତା ବୋଇଲେ ମାତା କରିବି ମୁଁ କିସ

ଏ ଖେଳ ଆଗରୁ ସଞ୍ଚିଛନ୍ତି ଜଗଦୀଶ ।

କୋଟି କୋଟି ବ୍ରହ୍ମା ଜାତ ଯାର ଲୋମ ମୂଳେ

କରନ୍ତି ପଚାଶକୋଟି ପୃଥ୍ଵୀ ଆଜ୍ଞା କଲେ ।

କୋଟିଏ ପୃଥ୍ଵୀରେ ମୁହିଁ ଅଟେ ବ୍ରହ୍ମା ଜଣେ

ବିଷ୍ଣୁଙ୍କ ଆଜ୍ଞା ପାଇଣ ପାଳେ ପ୍ରଜାଗଣେ ।

ଏରୂପେ ବ୍ରହ୍ମଣ୍ଡେ କେତେ ବ୍ରହ୍ମା ଛନ୍ତି ପୂରି

ବୁଝନ୍ତି ସବୁରି ହାନିଲାଭ ଏକା ହରି ।

ଶତମୁଖ ବ୍ରହ୍ମା ଅଛି ସସ୍ରମୁଖ ବ୍ରହ୍ମା

କୋଟି ମୁଖ ବ୍ରହ୍ମା ଅଛି ଚତୁର୍ଦ୍ଦଶ ସୀମା ।

ଏ ଆଦି ବ୍ରହ୍ମା ପାଳନ୍ତି ଯେତେ ବସୁନ୍ଧରୀ

ସମସ୍ତେ ଅଟନ୍ତି ଏକା ବିଷ୍ଣୁ ସେବାକରୀ ।

ଏହାଙ୍କ ସଙ୍ଗତେ ଲେଖା ଅଟେ ମୁହିଁ ଜଣେ

ଚତୁର୍ମୁଖ ବ୍ରହ୍ମା ବୋଲି ମୋର ନାମଭଣେ ।

କେଉଁ ଅବତାରେ ପ୍ରଭୁମାରେ ଦୈତ୍ୟ କେତେ

କାହିଁ କେତେ ଖେଳ ରଚୂଛନ୍ତି ଜଗନ୍ନାଥେ ।

ବିଷ୍ଣୁଙ୍କର ସେବାକରୀ ସଦା ଆମ୍ଭେ ଅଟୁ

ସବୁ ଅବତାରେ ଆମ୍ଭେ ବିଷ୍ଣୁଙ୍କୁ ଯେ ଖଟୁ ।

ଏ ଘେନି ମୁଁ ରଚିବାକୁ ଅଟେ କେତେମାତ୍ର

ଗୋବିନ୍ଦର ମାୟା ଜାଣ ଅଟେ ସବୁ ଯନ୍ତ୍ର ।

ଜାତହିଁ କରଇ ସେହି ନିପାତ କରଇ

ଏମନ୍ତ ବିଷ୍ଣୁ ତୁମ୍ଭର ଛନ୍ତି ପୁତ୍ର ହୋଇ ।

ତେଣୁ କରି ମାତା ରହିଲେ ଗୋ ରଥେ ଆସି

ନୋହିଲେ କି ଅନ୍ତର୍ଦ୍ଧାନେ ଯାନ୍ତା ରଥ ଖସି ।

ଦୈତ୍ୟ ତୁମ୍ଭଙ୍କୁ କପଟ ଥିଲା ସିନା କରି

ଶ୍ରୀନୃସିଂହ ଥିବା ଘେନି ନ ପାରିଲା ମାରି ।

ସେ ମାୟା ଋଷି ଯେ ଆସି ପୁଷ୍ପଯାନେ ବସି

ନଗ୍ରକୁ ଗୋ ବିଜେ କଲେ ଘେନି ବେନିଶିଷି ।

ତୁମ୍ଭେ ଉଠନ୍ତେ ରଥ ନ ଥିବ ଚାହାନ୍ତେଣ

ଶୁଣି ଭଗବତୀ ପୁଚ୍ଛେ ବ୍ରହ୍ମାଙ୍କୁ ଯେ ପୁଣ ।

ବୋଇଲେକ ଆହେ ପିତା ଶୁଣିବ ମୋ ବାଣୀ

ଏଠାକୁ ଗଲେ ରଥ କି ହେବ ସେହୁ ପୁଣି ।

ବ୍ରହ୍ମା ବୋଇଲେ ଅପାର କାଳର ଏ କଥା

କହିବାରକୁ ସୂଚିମାତ୍ରେ ଶୁଣ ମାର୍ଗ ପନ୍ଥା ।

ଏଠାରୁ ଏ ମାୟାରଥେ ଏଇଲାଗେ ଯିବ

ମରୁଦୈତ୍ୟ ଭବନରେ ପରବେଶ ହେବ

ତହିଁ ଉତ୍ତାରୁ ସେ ପୁଣି କେତେ ଦିନ ଅନ୍ତେ

ଦ୍ଵାପର ଯୁଗେ ମିଳିବ ଯାଇ ଇନ୍ଦ୍ରପ୍ରସ୍ଥେ

ପାଣ୍ଡବେଟି ରାଜସୂୟ କରିବେ ଯେ କାଳେ

ଏ ରଥଟି ମାୟା ସଭା ହେବ ସେହି କାଳେ ।

ପାଣ୍ଡବ ଯୋଗେ ଅନନ୍ତ ହେବ ପଢ଼ିହାରୀ

ସଭାରେ ଦୁର୍ଯ୍ୟୋଧନକୁ ବସାଇବେ ହରି ।

ରତ୍ନ ଆସନକୁ ମାଡ଼ିବସି କୁରୁରାଜା

ଢ଼ଳିପଡ଼ି ସଭାରେ ପାଇବ ବଡ଼ ଲଜ୍ଜା

ସ୍ଫଟିକ ସ୍ତମ୍ଭ ଆଉଜି ପୁଣି ବସନ୍ତେଣ

ଢଳି ପଡ଼ନ୍ତେ ହସିବେ ପ୍ରଭୁ ନାରାୟଣ ।

ଅନେକ ଲଜ୍ଜା ପାଇଣ ନୃପ ଯିବ ଉଠି

ଶକୁନି ତୁଲେ ଖେଳିବ ଧରି ପଶାକାଠି ।

ଯୁଧିଷ୍ଠିରପଶାରେ ହାରି ବନସ୍ତକୁ ଯିବେ

ଶୁଣନ୍ତି ନୃସିଂହମାତା କହେ ଧାତା ଭାବେ ।

ଏ ରଥ ଦାରୁଣ ସଦାଶିବ ସେବାକରି

ମାଗନ୍ତେ ଭୋଳେ ଦେଲେକ ତ୍ରିପୁରା ଅଇରି ।

ତେଣୁ ସେହି ରଥେ ଜାଣ ଦୈତ୍ୟ ମିଳିଥିଲା

ତୁମ୍ଭଙ୍କୁ ବସାଇ ମାୟାରଥେ ଘେନିଗଲା ।

ନୃସିହ ଘେନି ରହିଲ ତୁମ୍ଭେ ଦେହ ଧରି

କହିଲ ପୁରାଣ ଭାଷା ଶାସ୍ତ୍ର ଅନୁସରି ।

ଶୁଣି ଭଗବତୀ ମନୁ ଛାଡ଼ିଲେକ ପ୍ରାସ

ବ୍ରହ୍ମାଙ୍କ ବାକ୍ୟେ ଚିହ୍ନିଲେ ପ୍ରଭୁ ଜଗଦୀଶ

ମନେ ପାଞ୍ଚିଲେ ଅଭାଗ୍ୟ ଥିଲା କେତେ ପଡ଼ି

କପଟ କରି ଆଣିଲା ଭଲା ଦୈତ୍ୟ ଲୋଡ଼ି ।

ଏରୂପେ ପାଞ୍ଚି ଉଠିଲେ ମାଏ ସେହି ସାଜେ

ସ୍ଵାମୀ କୁମରଙ୍କୁ ଘେନି ରଥେ କଲେ ବିଜେ ।

ବିଧାତା କହନ୍ତେ ଶୁଣି ହେଲେ ଆଚମ୍ବିତ

ଚାହାନ୍ତେ ସେ ମାୟାରଥ ହୋଇଲାକ ଗୁପ୍ତ ।

କୁଆଡ଼େ ସେ ଗଲା ବୋଲି ସର୍ବେ ଛନ୍ତି ଚାହିଁ

ଦେଖିଲେ ଆଖି ପିଛଡ଼ା ମାତ୍ରେ କେହି ନାହିଁ ।

ଯିବାର ନ ଦେଖି ସର୍ବେ ହ୍ଵନ୍ତି ଆଚମ୍ବିତ

ବୋଲନ୍ତି ଅଟଇ ଭଲା ଦାରୁଣ ଦଇତ୍ୟ ।

କାହୁଁ ଏ ରଥ ତୁହିରେ ଆଣିଥିବୁ ପୁଣି

ଏଡ଼େହେଁ ମାୟାରଥ ନଥିଲୁ ଆମ୍ଭେ ଜାଣି ।

ପ୍ରଭୁ ନ ଥିଲେ ସମ୍ଭାଳି ଆମ୍ଭେ ପାରନ୍ତୁକି

ଏ ରଥ ଦେଖି ଆନ ହେ ରହି ପାରନ୍ତେ କି ।

ଏ ରୂପେ ବୋଲି ସମସ୍ତେ ହ୍ଵନ୍ତି କୁହାକୁହି

ମିଳିଲେ ନୃସିଂହ ପାଶେ ଖଗେଶ୍ଵର ଯାଇ ।

ସୁଜାଣେଶ୍ଵର ମନ୍ତ୍ରୀ ଯେ କର୍ଣ୍ଣାଟେଶ ରାଜା

କରନ୍ତି ନୃସିଂହ ପାଶେ ମିଳି ପାଦପୂଜା ।

ଯେ ଯାହାର ସୈନ୍ୟଘେନି ପାଶେ ହେଲେ ଯାଇ

ଟମକ ଢୋଲ ମୃଦଙ୍ଗ ତାଳ ଦମା ବାଇ ।

ନୃସିଂହଗଣ ପ୍ରଭୁଙ୍କୁ ହୃଦେ ସମ୍ଭାଇଲେ

ଥୋକାଏ ଆନନ୍ଦ ବନେ ନେଇ ରଖାଇଲେ ।

ଏଥି ଉତ୍ତାରେ ଯେ ବାଣୀ ନାରଦ ହୋ ଶୁଣ

ନଗ୍ରକୁ ବିଜେ କରନ୍ତେ ପ୍ରଭୁ ନାରାୟଣ ।

କହନ୍ତି ସର୍ବବେଦଙ୍କୁ ଚାହିଁ ହୃଷୀକେଶ

ଗହଣେ ଯେ ବାହନକେ ଚଢ଼ି ତୁମ୍ଭେ ଆସ ।

ଉଠିଲେ ଶ୍ରୀମୁଖ ଆଜ୍ଞା ଶୁଣି ବେଦବର

ମରାଳ ଯାନେ ଚଢ଼ିଣ ଗଲେ ବଦ୍ରିପୁର ।

ବୃଷଭ ଆରୋହି ବିଜେ କଲେ ପଶୁପତି

ବାସବ ଗଲେ ଚଢ଼ିଣ ଐରାବତ ହସ୍ତୀ ।

ଅଗ୍ନି ଦେବତା ଯେ ମେଷ ପୃଷ୍ଠେ ଆରୋହିଲେ

ଯମଦେବତା ମଇଁଷି ଚଢ଼ି ବିଜେ କଲେ ।

ମଗରଯାନେ ବରୁଣ ବସି କଲେ ବିଜେ

ଚଳିଲେ ସମ୍ପାତିଯାନେ ଚଢ଼ି ଦେବରାଜେ ।

ପବନ ଦେବତା ବିଜେ ମୃଗପୃଷ୍ଠ ବସି

ଗାୟତ୍ରୀ ଚକ୍ର ରଥରେ ବସି ସୂର୍ଯ୍ୟ ଆସି

ନଉକାଯାନେ କୁବେର ବସି ବିଜେକଲେ

ଗଜବାହାନେ ନୈର୍ଋତ ବସି ବିଜେକଲେ ।

ଚଳିଲେକ ବୃହସ୍ପତି ହଂସପୃଷ୍ଠେ ବସି

କାମଦେବ ଚଳିଗଲେ ମନଯାନେ ହସି ।

ଋଷିଙ୍କ ସଙ୍ଗେ ନାରଦ ବ୍ରହ୍ମାଙ୍କ କୁମର

ମନପବନ ଦଣ୍ଡରେ ଗଲେ ଧୀରେ ଧୀର ।

ମୟୁର ବାହନ ଚଢ଼ି କାର୍ତ୍ତିକେୟ ବିଜେ

ଏମନ୍ତ ଦେବଙ୍କୁ ଘେନିଗଲେ ଦେବରାଜେ ।

ଶ୍ରୀନୃସିଂହଗଣ ଏହୁ ନୃସିଂହ ପୁରାଣ

ମାନବ ଲେଖି ଏହି ନପାରେ କେହିଜାଣ ।

ସେ ସାରଦା ମାତାଙ୍କର କୃପା ପରସାଦେ

ଏ ପଦ ପୂରାଣ ହେଉଥାଏ ମୋର ହୃଦେ ।

ସାଧୁଙ୍କ ପାଦେ ଅଟଇ ନିତ୍ୟେ ସେବା ମୋର

ତେଣୁ ଏ ଗ୍ରନ୍ଥକୁ ଲେଖେ ବିପ୍ର ପୀତାମ୍ବର ।

ମାତା ପିତାଙ୍କୁ ଘେନିଣ ବିଜେ ଦେବହରି

ମିଳିଲେ ବଦ୍ରିକାପୁରେ ଦେବସଙ୍ଗେ ଧରି ।

ଆଗରେ ଉଡ଼ଇ ଶ୍ଵେତଧ୍ଵଜ ପାଞ୍ଚଲକ୍ଷ

ବାଜଇ ବଇଁଶୀ ଶଙ୍ଖ ବୀଣା ଶତଲକ୍ଷ ।

ଆଗରେ ନୀଳ ଚାମର ପଡ଼େ କୋଟି କୋଟି

ରଙ୍ଗବର୍ଣ୍ଣର ଚିରାଳ ଉଡ଼େ ମେବଚ୍ଛଟି ।

ଅଇବ୍ରତେକ ଚାମର ପଡ଼ୁଥାଏ ପାଶେ

ମର୍ଭୁତେକ ନୀଳପିଞ୍ଛ ଉଡ଼େ ଶୂନ୍ୟେ ଦେଶେ ।

ଗହଗହ ଶବ୍ଦ ଶୁଭେ ବଦରିକାପୁରୀ

ପଶିଲେକ ପୂର୍ବମୁଖେ ନଗ୍ରେ ଯାଇ ହରି ।

ସାକ୍ଷାତେ ବୈକୁଣ୍ଠ ପ୍ରାୟ ବଦ୍ରି ଦେଶ ଦିଶେ

ଯହିଁ ବିଜେ କରିଛନ୍ତି ପ୍ରଭୁ ଜଗଦୀଶେ ।

ମଞ୍ଚରେ ଜନ୍ମ ହୋଇବେ ଯେବେ ବିଷ୍ଣୁ ଆସି

ବୈକୁଣ୍ଠ ତେଜ ଯାକ ସେ ନଗ୍ରେ ପରକାଶି ।

ପ୍ରଥମେ ବଦରିକା ଦ୍ଵିତୀୟେ ସ୍ଵର୍ଗପୁର

ତୃତୀୟେ ଅଯୋଧ୍ୟା ଚତୁର୍ଥରେ ଗୋପପୁର ।

ବିଷ୍ଣୁ ବୈକୁଣ୍ଠକୁ ଗଲେ ନଗ୍ରତେଜ ହଜେ

ଚିହ୍ନଟି ମାତ୍ର ରହେ ନ ଥିଲେ ଦେବରାଜେ ।

ଏମନ୍ତ ମହିମା ଏହି ବଦ୍ରିକା ପୁରର

ସିଂହଦ୍ଵାରେ ମିଳିଲେକ ଯାଇ ଲକ୍ଷ୍ମୀବର ।

ରଥୁ ଉତୁରି ବସିଲେ ପ୍ରଭୁ ସିଂହାସନେ

ଶୁଣ ନାରଦ କହନ୍ତି ଚତୁର ଆନନେ ।

ଯାଇଣ ସେ ଭଗବତୀ ମିଳିଲେ ମନ୍ଦିରେ

ଆବର ଯେ ଜନେ ଚଳିଗଲେ ଯେଝାପୁରେ ।

କମଳା ଇଳା ଶାଶୁଙ୍କୁ କଲେ ଯାଇ ସେବା

ଯୁଦ୍ଧର କଥା ଶୁଣନ୍ତି ଆଗେ ହୋଇ ଉଭା ।

ଚୌଷଠି ସହସ୍ର କନ୍ୟା ଦ୍ୟନ୍ତି ହୁଳହୁଳି

ନୃସିଂହ ହୃଦେ କର୍ପୂର ନେଇଦେଲେ ବୋଳି ।

ରହିଲେ ନୃସିଂହ ଚାରିଆଡ଼େ ଦେବେ ବେଢ଼ି

ଚରଣେ ସେବି କହନ୍ତି ବ୍ରହ୍ମା କରଯୋଡ଼ି ।

ବୋଲନ୍ତି ହେ ମହାପ୍ରଭୁ ଶୁଣ ନାରାୟଣ

ଅଠର ପ୍ରକାର ତୁମ୍ଭ ସର୍ଜନା ତ୍ରିପୁଣ ।

ସେ ତିନି ଗୁଣର କଥା ଛାମୁରେ କହିବି

ଶୁଣନ୍ତୁ ସୁଜନେ ବିଷ୍ଣୁ ମହିମା ଯେ ଭାବି ।

ବିବେକ ଦୟା ତପସ୍ୟା ଶାନ୍ତି କ୍ଷମା ଧୃତି

ଏ ଷଡ଼ କର୍ମେ ସାତ୍ତ୍ଵିକ ଲୋକ ରହିଥାନ୍ତି ।

ରାଜସ ପ୍ରାଣୀଙ୍କର ଯେ ଶୁଣିମା ଷଡ଼ଗୁଣ

ରାଜବ୍ରତ ପୁଣ୍ୟ କୀର୍ତ୍ତି ତୀର୍ଥ ଯଜ୍ଞଦାନ ।

ଏ ଷଡ଼ ପ୍ରକାର ଗୁଣ ରାଜସର କୀର୍ତ୍ତି

ତାମସ ଲକ୍ଷ୍ମଣ ଷଡ଼ ଶୁଣିମା ସଂପ୍ରତି ।

କାମ କ୍ରୋଧ ହିଂସା ଲୋଭ ମାୟାଦି କୁଟିଳ

ତାମସିକ ଲକ୍ଷ୍ମଣ ଏ ଅଟେ ଷଡ଼ମୂଳ ।

ଏହିରୂପେ ଅଷ୍ଟାଦଶବିଧ ତିନିଗୁଣ

ସବୁ କଥାକୁ କର୍ତ୍ତାଟି ତୁମ୍ଭେ ନାରାୟଣ ।

ଦେବ ଦାନବ ପ୍ରଭୃତି କୀଟୁଁ ବ୍ରହ୍ମଯାଏ

ଯେ ଚିହ୍ନି ଭଜେ ପ୍ରଭୁଙ୍କୁ ସେହି ମୋକ୍ଷ ହୁଏ ।

ଏ ଅବତାରକୁ ଆମ୍ଭେ କିସ ଦେବା ଲକ୍ଷ୍ୟ

ବୁଝିଲେ ନାହିଁ ପାତାଳ ସ୍ଵର୍ଗ କିବା ମଞ୍ଚ ।

ଆଦ୍ୟ ଅବତାର ଏହା ଅଟେ ଅଗ୍ରଲେଖା

ପ୍ରକାଶେ ସକଳ ଘଟେ ନୃସିଂହଙ୍କ ଶିଖା ।

ଦଶ ଅବତାରେ ଚଉବିଂଶ ମୂର୍ତ୍ତିଯାଏ

ଆପଣ ନ ଜନ୍ମିଲେ ନ ଯାଆନ୍ତି ଦୈତ୍ୟକ୍ଷୟେ ।

ବ୍ରହ୍ମାଣ୍ଡଯାକେ ଅଛନ୍ତି ଯେତେ ଦେହବହି

ଟେକିଲେ ନୃସିଂହ ପ୍ରଭୁ ସର୍ବେ କ୍ରୋଧ ହୋଇ ।

କୀଟୁ ଯେ ବ୍ରହ୍ମଯାଏ ଯେତେଲୋକ ଗଣି

ବିଜୟ ସବୁରି ଦେହେ ପ୍ରଭୁ ଚକ୍ରପାଣି ।

ଅନାଦି ଆଦି ବ୍ରହ୍ମାଦି ଘେନି ସୁରଲୋକ

ଏହାର ଉପରେ ସ୍ଵାମୀ ନୃସିଂହ ପାଳକ ।

ନୃସିଂହ ଉପରେ କେହି ଦେବତା ଯେ ନାହିଁ

ବୁଝିଲେ ସବୁରି ଆତ୍ମା ନୃସିଂହ ଗୋସାଇଁ

ଏରୂପେ ଯେଉଁ ନୃସିଂହ ଦେବ ଅବତାର

ଦେବତା ଯାକ ତ ଆମ୍ଭେ ତାଙ୍କ ପରିଚାର ।

ପାପୀ ମୃରାସୁର ଭାର ନ ପାରୁ ଯେ ସହି

କିରୂପେ ମାରି ଉଦ୍ଧାର ତୁମ୍ଭେ ତାଙ୍କୁ ମହୀ ।

ନୋହିଲେ ସ୍ଵର୍ଗେ ଦେବ ନପାରୁ ଆମ୍ଭେ ବସି

ଦୀନଦୁଃଖୀ ଲୋକ ପ୍ରାୟେ ଗଲୁ ଏବେ ଭାଷି ।

ନିର୍ମଳା ଲୋକର ତୁମ୍ଭେ ଅଟେ ବଜ୍ରସେହ୍ନା

ଛାମୁରେ ଯେ ଆମ୍ଭେମାନେ ଜଣାଉଛୁ କିନା ।

ସଂସାରେ ନୁହନ୍ତି ଚାରିଲୋକ ସେବାକାରୀ

ସେ ଚାରି ଲୋକଙ୍କ କଥା ଶୁଣ ଦେବ ହରି ।

ଦେବତା ଆଗରେ ମୃଗ ମୀନ ସାଧୁଜନ

ଏ ଚାରି ଲୋକଙ୍କ ବୃତ୍ତି ଶୁଣ ଭଗବାନ ।

ଦେବତାମାନେ ପୃଥ୍ଵୀକୁ ପାଳନ୍ତି ସନ୍ତୋଷ

ତାହାଙ୍କ ଶତ୍ରୁ ହୁଅନ୍ତି ଚଣ୍ତାଳ ରାକ୍ଷସ ।

ଏ ସଂସାର ମୃଗମାନେ ବନସ୍ତରେ ଥାଇ

ଦିନ ବଞ୍ଚୁଥାନ୍ତି ସୁଖେ ଡ଼ାଳପତ୍ର ଖାଇ ।

ପାପୀ ଲୁବ୍‌ଧକ ତାହାଙ୍କୁ ପେଷି ଧନୁଶର

ବ୍ୟର୍ଥେ ମାରେ ବଇରୀ ଯେ ନୁହଇ କାହାର ।

ସଂସାରେ ନୁହନ୍ତି ମତ୍ସ୍ୟମାନେ କାହା ଅରି

ଜଳ ପଙ୍କ ଖାଇ ଥାନ୍ତି ସେହୁ ଦେହ ଧରି ।

ଚଣ୍ଡାଳ ଧୀବରଗଣ ଦେଖି ତାଙ୍କୁ ଆସି

ପକାଇ ମାରନ୍ତି ଜାଲ ଯନ୍ତା ଅହର୍ନିଶି ।

ସାଧୁଜନ ନୁହନ୍ତିଟି କାହାର ଅଇରି

ସବୁ ଲୋକଙ୍କୁ ଥାଆନ୍ତି ଆଶୀର୍ବାଦ କରି ।

ଅଳ୍ପ ବହୁତରେ ସେହୁ ହୁଅନ୍ତି ସନ୍ତୋଷ

ପ୍ରାଣୀଙ୍କୁ କଲ୍ୟାଣ କରି ଭଜେ ଜଗଦୀଶ

ତାହାଙ୍କୁ ଦେଖିଣ ଶତ୍ରୁ ହ୍ଵନ୍ତି ମୁଖ ଯେତେ

ଅନୁକ୍ଷଣେ ମନ୍ଦ ପାଞ୍ଚୁଥାନ୍ତି ନିଜ ଚିତ୍ତେ ।

ଏ ପାପୀମାନେ ରହିବେ ଯେବେ ଦେହଧରି

ଦେବଙ୍କ ଆକୁଳ ଆଉ ଶୁଣିବ କି କରି ।

ବ୍ରହ୍ମାଙ୍କ ବଚନ ଶୁଣି ସେହି ନରସିଂହ

ହୋଇଣ ଆନନ୍ଦ ମନ କହନ୍ତି ପ୍ରସଙ୍ଗ ।

ବୋଲନ୍ତି ଯେ ସାବଧାନେ ଶୁଣ ଚତୁର୍ମୂଖ

ଆବର ଯେ ଦିନା କେତେ ସହିଥାଅ ଦୁଃଖ ।

ସଂସାରେ ତୁମ୍ଭର ଯେତେ ଲୋକ ହ୍ଵନ୍ତି ଶତ୍ରୁ

ସେମାନେ ଲଭନ୍ତି ନିଶ୍ଚେ ଆମ୍ଭ ହାତେ ମୃତ୍ୟୁ ।

ମୃରାସୁର ପାଇଁ ଆମ୍ଭେ ଅଛୁଁ ଅବତରି

ମୁରକୁ ମାରିଣ ନାମ ବହିବୁ ମୁରାରି ।

ଏ ମୁରର କଥା ଆଗ ଶୁଣ ପଦ୍ମଯୋନି

ବୈକୁଣ୍ଠ ଦ୍ଵାରୀ ଅଟନ୍ତି ଏହୁ ଭାଇ ବେନି ।

କେଡ଼େହେଁ ଭକ୍ତ ମୋହର ଏ ଅଟନ୍ତି ଦୁଇ

ଦୁର୍ଭାଗ୍ୟ ଛୁଇଁଲାରୁ ସେ ଜାତ ଦୈତ୍ୟ ସାଇଁ ।

ଜୟ ବିଜୟ ନାମ ଏ ବଦନ୍ତି ସର୍ବଦା

ଦ୍ଵାରକୁ ଜଗିଥାନ୍ତି ଏ କରି ପ୍ରାଣଛନ୍ଦା ।

ଅଚ୍ୟୁତ ପିତାଙ୍କ ବୀର୍ଯ୍ୟେ ହେବେ ଏ ସମ୍ଭୁତ

ଲୟସୂତ୍ରେ ମାତାଗର୍ଭୁ ହେଲେ ଆସି ଜାତ ।

ହଂସଗୋତ୍ରୀ ନିରାକାର ପ୍ରବର ଏହାର

ଦିବାରାତ୍ର ଏ ଜଗନ୍ତି ଆମ୍ଭର ଦୁଆର ।

କଳିକାଳେ ଅଟନ୍ତି ଏ ମୋହର ଦ୍ଵାରପାଳ

ଜଗନ୍ତି ଏ ଅନୁକ୍ଷଣେ ବାଣ୍ଟି ଦିନବେଳ ।

ପାଦେକ ଏ ଉଭା ହୋଇଥାନ୍ତି ଦ୍ଵାରମୁଣ୍ଡେ

ଜଣେ ଜଣେ ତିନିଦଣ୍ଡ ଜଣେ ପାଞ୍ଚଦଣ୍ଡେ ।

ଏରୂପେ ଜଗି ବାଣ୍ଟିଣ ଆହୋରାତ୍ର ଥାନ୍ତି

କ୍ଷଣେହେଁ ଦ୍ଵାର ମୋର ଏ ଦୁହେଁ ନ ଛାଡ଼ନ୍ତି ।

ବାରଯୁଣ ଭୂମି ଅଛୁ ଏହାଙ୍କୁ ଯେ ଦେଇ

ଜଗନ୍ତି ପ୍ରହରୀ ପ୍ରାୟେ ପାଦେ ଉଭା ହୋଇ ।

ଜୟ ବୋଲି ଦ୍ଵାରୀ ଜଗେ ଦକ୍ଷିଣ ଯେ ଭାଗ

ବିଜୟ ବୋଲି ଯେ ଦ୍ଵାରୀ ଜଗେ ବାମଅଙ୍ଗ ।

ଷଡ଼ ରସରେ ମିଳିବ ଯେତେ ଦ୍ରବ୍ୟ ଆସି

ପ୍ରଥମ ବାସନା ଘେନି ଥାନ୍ତି ଦ୍ଵାରେ ବସି ।

ତହୁଁ ପୁଣି ମିଳେ ଯାଇ ଏ ଭିତର ପୁରେ

ଏଣୁ ସେ ଦ୍ଵାରୀ ଅଟନ୍ତି ମୂଳ ସିଂହଦ୍ଵାରେ ।

ଦ୍ଵାରେ ଦ୍ଵାରୀ ଥିଲେସିନା ରାଜା ରଖେ ଆଣ୍ଟ

ବାସବ ହେଲେ ପଶି ନପାରେ ସେହୁ ବାଟ ।

ଦ୍ଵାରରେ ଦ୍ଵାରପାଳ ନ ଥିବ ଯେବେ ବସି

ଜାଣିବ ତେବେ ସେ ରାଜା ଗଲା ନଗ୍ରୁ ଖସି ।

ରାଜାଙ୍କୁ ଭେଟି ଆସନ୍ତି ଜାଣ ଯେତେ ଲୋକ

ବିଶୋଇ ଯେନା ନାୟକ ପରଜା ପାଟକ ।

ଦ୍ଵାରୀକୁ କହିଲେ ଯେ ଭେଟି ପାରିବ କି

ଦ୍ଵାରପାଳର ମହିମା କହିଲେ ସରେ କି ।

ନ ଥିଲେଟି ଦ୍ଵାରପାଳ ବାଟ ଯାଏ ପଡ଼ି

ରାଜାକୁ ନ ପାଇ ଲୋକେ ଯାନ୍ତି ଦ୍ଵାର ହୁଡ଼ି ।

ସେ ବେନିଦ୍ଵାରୀଙ୍କ କଥା ଶୁଣ ବେଦବର

ଆସନ୍ତେ ଯେ ଏକଦିନେ କମଳା ମୋ ପୁର ।

ଅପୂର୍ବ ବେଶ ଗୋଟିଏ ହୋଇ କମଳିନୀ

ବିଜକଲେ ପଦ୍ମବନୁ ଆମ୍ଭ ପାଟରାଣୀ ।

ବୈକୁଣ୍ଠ ଦୁଆରେ ଆସି ପ୍ରବେଶ ହୁଅନ୍ତେ

ଦେଖିଣ ଯେକାକାମମୋହ ହେଲେ ବେନିଭ୍ରାତେ ।

ମହାଲକ୍ଷ୍ମୀଙ୍କୁ ମୋର ନ ଦେଲେ ଦ୍ଵାର ଛାଡ଼ି

ବିଭୋଳ ହୋଇ ପଡ଼ିଲେ ଦୁହେଁ ମୁଖମାଡ଼ି ।

କାମରେ ମୋହ ହୋଇଣ ଗୋଡ଼ାଇଲେ ଉଠି

ନ ଛୁଇଁ ଆଗୁଳି ଦେହେଁ ରହିଲେ ବିମ୍ବୋଷ୍ଠୀ ।

ଆଶ୍ଚର୍ଯ୍ୟ ମଣିଷ ଦୁହେଁ ହ୍ଵନ୍ତି କୁହାକୁହି

ବୋଲନ୍ତି ଲକ୍ଷ୍ମୀର ପ୍ରାୟ ଦିଶୁଛି ୟା ଦେହୀ ।

ମହାଲକ୍ଷ୍ମୀ ହେଲେ ସଙ୍ଗେ ଅଷ୍ଟସଖୀ ଥାନ୍ତେ

ଆଡ଼ୋ ଆଡ଼େ କହିଲେ ଯେ ଭିତରକୁ ଯାନ୍ତେ ।

ସେବାରେ ଯେ ପଟୁଆରୀ ଥାନ୍ତି ଲକ୍ଷେନାରୀ

ଚାମର ପୁଚ୍ଛକୁ ଢାଳୁଥାନ୍ତେ କରେ ଧରି ।

ଆଗରେ କର୍ପୂର ଗୁଣ୍ଡା ବିଞ୍ଚା ହେଉଥାନ୍ତା

ଲକ୍ଷ୍ମୀ ବିଜେକଲେ ବୋଲି ପୁର ଚହଟନ୍ତା ।

ଯୋଡ଼ି ଶଙ୍ଖରେ ଚମକୁ ଥାଆନ୍ତି ଏ ମହୀ

ଗହଳେ ଡ଼ାକ ପଡ଼ନ୍ତା ଲକ୍ଷ୍ମୀ ତ୍ରାହି ତ୍ରାହି ।

ମହାଲକ୍ଷ୍ମୀ ନୋହେ ଏହୁ ଅଟେ ଦେବସ୍ତିରୀ

ନୋହିଲେ ଦିଶନ୍ତା ଏଡ଼େ ଶୋଭା କେଉଁନାରୀ ।

କାହାର ଦୁହିତା ଏହୁ କାର ଅଟେ ପ୍ରିୟା

କ୍ଷଣକେ ବିଭୋଳ ଆସି କଲା ଆମ୍ଭ କାୟା ।

ବ୍ରହ୍ମା ଶିବ ଇନ୍ଦ୍ର ଦେବ ଆଦି ମୁନି ତୁଲେ

ଏସବୁ ଲୋକ ଧ୍ଵସିଂବ ଏହି ମନ କଲେ ।

ଦେଖ ଏ ପଛେ କନ୍ଦର୍ପ ଅଛି ତାର ଚାଲି

ରାତ୍ରରେ ହୁଳା ଦେଖିଣ ମୃଗ ଯେହ୍ନେ ଭୁଲି ।

ଯେତେ ଅଳଙ୍କାର ଲାଗି ହୋଇଅଛି କାୟେ

ଖୋଜିଲେ କୁବେର ପୁରେ ନଥିବେ ଗୋଟିଏ ।

ଆବର ପୀତବାସକେ ପିନ୍ଧିଅଛି ଭିଡ଼ି

ସେ ଜ୍ୟୋତି ଚଉଦ ପୁରେ ନପାଇବା ଲୋଡ଼ି ।

ହୋଇଅଛି ଉପରାଣ ଯେଉଁ ଫୁଲଗଭା

ଦେଖିଲା କ୍ଷଣି ଟେକୁଛି କାମଦେବ ପ୍ରଭା ।

ଅଳକାପନ୍ତି କୁଟିଳ କବରୀ ଯେ ନୀଳ

ନବୀନ ଘନ ଜ୍ୟୋତିକି ନିନ୍ଦେ ଅଳିକୁଳ ।

ନାସାରେ ସେ ସୁଘଟଣ ତିଳପୁଷ୍ପ ପ୍ରାୟେ

କୁନ୍ଦନ ହେମରେ ମିଶା ଅଷ୍ଟରତ୍ନ କିଏ ।

ନାସା ବାମପୁଟେ ବସଣି ଯେ ରତ୍ନଗୁଣା

ଝଟକ ଦିଶଇ ତେଜ ବିଦ୍ୟୁତ କାନ୍ତିଜିଣା ।

ଲୁଚଇ ହୀରାର କାପ ବେନି ଶ୍ରବଣରେ

ଜୟକରେ ଅଗ୍ନି ଅର୍କ ତେଜ ମହିମାରେ ।

ନୟନ ବେନି ଅଟଇ କିବା କାମଦଣ୍ଡ

ତରଳି ପଡ଼େ କଟାକ୍ଷ ଚାହିଁଲେ ତ ପିଣ୍ଡ ।

ଭାଜିବ ରିପୁର ଦର୍ପ ତେର୍ଚ୍ଛେ ଦେଲେ ଚାହିଁ

ପ୍ରହାର କଲେ କି ଆଣି କାମ ତୀର ବହି ।

ଏହାର ଯେ ଶତ୍ରୁ ମିତ୍ର ଅଟେ ଜାଣ ଏକ

କିଞ୍ଚିତେ ଚାହିଁଲେ ମୋତେ ହୋଇବ ତ୍ରିଲୋକ ।

ରକ୍ତପଦ୍ମ ପ୍ରାୟ ଫୁଟି ଓଷ୍ଠ ଦୁଇ ଦିଶେ

ମୁକ୍ତାପନ୍ତି ପ୍ରାୟ ହନ୍ତ ହସନ୍ତେ ପ୍ରକାଶେ ।

ବସନ୍ତ ଋତୁରେ ଯେହ୍ନେ କୋକିଳ ଭାଷଇ

ସେ ରୂପେ ଶୁଭଇ ବାକ୍ୟ ସବୁ ମନ ମୋହି ।

ଭଲା ଏହି କଣ୍ଠତଟେ ମାଳ ଅଛି ଖଞ୍ଜି

ପୋହଳା ଯେ ଅଷ୍ଟରତ୍ନ ଆଛି ପୁଞ୍ଜି ପୁଞ୍ଜି

ତରୁଣୀ କଣ୍ଠରେ ଖଞ୍ଜିଅଛି ଅତି ଘଞ୍ଚେ

ହୃଦଦେଶେ ଏ ବର୍ତ୍ତୁଳ କୁଚ ବେନି ସଞ୍ଚେ ।

ହସ୍ତୀଙ୍କର ଥୋରହସ୍ତ ପ୍ରାୟେ ଦିଶେ ଭୁଜ

ଯାଉଁଳି ସୁନା ସୂତାରେ ହୀରା ବଇଦୁର୍ଯ୍ୟ ।

ହେମ ହାଟକ କଙ୍କଣ ବାହେ ରତ୍ନ ଚୁଡ଼ୀ

ଅତୁଳ ଅବତଂଶ ଅନନ୍ତବ୍ରତ ଯୋଡ଼ି ।

ସବୁ ଅଳଙ୍କାର ଲାଗିଅଛି ଅଷ୍ଟରତ୍ନ

ବାଳ ଆଦିତ୍ୟ ପ୍ରାୟେକ ଦିଶେ ଜ୍ୟୋତିବର୍ଣ୍ଣ ।

ସୁବର୍ଣ୍ଣର ଚମ୍ପୀକଢ଼ି ପ୍ରାୟେ ନଖପନ୍ତି

ପ୍ରଥମ ଚନ୍ଦ୍ର ସଦୃଶ ଦିଶେ ତାର ଜ୍ୟୋତି ।

କେ ବୋଲେ ଏହାକୁ ଦେଖି ହେଲା ସିଂହ ବନ୍ଦୀ

ଗମନରେ ମତ୍ତଗଜ ଚାଲି ପାଦେ ଛନ୍ଦି ।

ଉଲଟ ରମ୍ଭା ପ୍ରାୟେକ ଦିଶେ ବେନି ଜାନୁ

କେତେହେଁ କାଳେ ଗଢ଼ିଲା ବିହି ତାର ତନୁ ।

ରକତ ପଦ୍ମ ପରାୟେ ଦିଶେ ପାଦତଳି

ଚମ୍ପା କଢ଼ ପରାୟେ ଯେ ଦିଶେ ଦଶାଙ୍ଗୁଳି ।

ରତନ ମଧ୍ୟରେ ଯେହ୍ନେ ଦିଶେ ଜ୍ୟୋତିହାର

ଅଙ୍ଗୁଳି ଅଗ୍ରରେ ନଖ ଦିଶେ ତେହ୍ନେ ତୋରା

ବୁଝିଲେ ତ ଯୁବାନାରୀ ନ ମିଳେ ଏ ମୃଗାକ୍ଷୀ ।

ଏହାର ପ୍ରାୟ ସଂସାରେ ନାହିଁ ସ୍ତିରୀସତୀ

ପାର୍ବତୀ ପ୍ରାୟେ ଦିଶୁଛି ଏହା ଶୋଭାକାନ୍ତି ।

ପାର୍ବତୀ ଦେବୀ କିମ୍ପାଇଁ ଏଥେ ବିଜେ ହୋନ୍ତା

ଲକ୍ଷ୍ମୀ ହୋଇଲେ ଚମକି ପୃଥ୍ଵୀ ପଡ଼ିଥାନ୍ତା ।

ନୁହଇ କମଳା ଏହୁ ନୁହଇ ଯେ ଉମା

ଆମ୍ଭଙ୍କୁ ରତି ଦେବାକୁ ଆସିଛି ଏ ବାମା ।

ଏରୂପେ ବୋଲି ପଡ଼ିଲେ ଦୁହେଁ କାମେ ଢଳି

ଲକ୍ଷ୍ମୀଙ୍କି ନ ଚିହ୍ନି ଦ୍ଵାର ରଖିଲେ ଉଗାଳି ।

ବୋଇଲା ବଡ଼ଭାଇ ଶୁଣରେ ସାନଭ୍ରାତ

ଅଲଭ୍ୟେ ଆସି କନ୍ୟାଏ ହେଲା ପରାପତ ।

ଯେବଣ ଯୁବତୀ ବଳେ ଦିଏ ଅଙ୍ଗ ଯାଚି

କୁପୁରୁଷ ଛାଡ଼େ ତାକୁ ମନରୁ ମୁରୁଛି ।

ଆବର ମିଳିବ ଯେବେ ଅଲଭ୍ୟରେ ଧନ

ଶ୍ରଦ୍ଧାରେ ଯାଚିକେ ଯେବେ କରେ କନ୍ୟାଦାନ ।

ନ କରି ତହିଁରେ ଗଣା ପୁଚ୍ଛା ଆଦି କିଛି

ଏ କଥାଟି ବେଦଶାସ୍ତ୍ର ପୁରାଣେ କହିଛି ।

ଆବର ଯେ ଭୂମିଦାନ ସୁଲକ୍ଷଣୀ ଭାର୍ଯ୍ୟା

ସୁପଣ୍ଡିତ ଜନେ ଏହା ନ କରିବେ ତେଜ୍ୟା

ଅଲଭ୍ୟେ ମିଳିବ ଏତେ ଦ୍ରବ୍ୟ ଯେବେ ଆସି

ପଣ୍ଡିତ ଜନେ କରନ୍ତି ଏହା ଭୋଗ ବସି ।

ଏରୂପେ କହି ଧାମନ୍ତି ଦୁହେଁ ଧରିବାକୁ

ତାହା ଦେଖି ପଛଘୁଞ୍ଚା ଦେଲେ ମାତା ତାଙ୍କୁ ।

କମଳା ଘୁଞ୍ଚିବା ଜାଣିପାରି ବେନିଭାଇ

ପାଞ୍ଚିଲେ ଦୁଷ୍ଟ ବୁଦ୍ଧି ନ କଲେ ନ ଡରଇ ।

ଅସୁର ରୂପ ଧରିଣ ଡରାଇବା ଆସ

ତେବେ ଆମ୍ଭର ହୋଇବ ଏହୁ ନିଶ୍ଚେ ବଶ ।

ଏରୂପେ ପାଞ୍ଚିଣ ଦ୍ଵାରୀ ହୋଇଲେ ଅସୁର

ଡକାଇଲେ ଲକ୍ଷ୍ମୀଙ୍କୁ ସେ ହୋଇ ଭୟଙ୍କର ।

ଦେଖିକରି ମହାଲକ୍ଷ୍ମୀ କଲେ ତାଙ୍କୁ କୋପ

ବୋଇଲେ ତୁମ୍ଭେ ଦୁହେଁରେ ହୁଅ କଉଣପ ।

ଲକ୍ଷ୍ମୀ ବୋଲିଣ ମୋତେ ଯେ ନ ପାରିଲ ଚିହ୍ନି

ବ୍ରହ୍ମାଣ୍ଡ ଠାକୁରାଣୀଙ୍କୁ ନ ପାରିଲା ଜାଣି ।

ପ୍ରକୃତି ମନ୍ଦ ପାଞ୍ଚିଣ କଲ ଅପ୍ରକୃତି ।

ପ୍ରଭୁଙ୍କୁ ପତ୍ନୀ ବୋଲିଣ ନ କଲେ ମନେ ଭ୍ରାନ୍ତି।

ଏହି ସକାଶୁଁ ତୁମ୍ଭେରେ ଦୈତ୍ୟଜନ୍ମ ହୁଅ

ଅସୁର ଦେହରେ ଶତେ ଜନ୍ମଯାଏ ଥାଅ ।

ଏରୂପେ ଶାପ ଦେଇଣ ଯାନ୍ତେ ଲୋକମାତ

ସେହିଠାରେ ଦ୍ଵାରପାଳେ ହେଲେ ଜାଣ ଦୈତ୍ୟ।

ଏମନ୍ତ ବେଳେ ଆସନ୍ତେ ଆମ୍ଭେ ନଗ୍ରେ ହେରି

ଦେଖିଲୁ ଯେ ଦୈତ୍ୟ ହୋଇଛନ୍ତି ସିଂହଦ୍ଵାରୀ ।

ତାଙ୍କୁ ପୁଚ୍ଛିଲୁ ତୁମ୍ଭଙ୍କୁ ଏହା କେହୁ କଲା

ସେ ବୋଇଲେ ଆମ୍ଭ ପ୍ରକୃତି ଯେ ମନ୍ଦ ହେଲା ।

ବିଷ୍ଣୁ ମନ୍ଦିରେ ପାଞ୍ଚିଲୁ ମନ୍ଦବାଣୀ ପୁଣ

ଜଗତ ମାତାଙ୍କୁ ଦେଖି ମାଗିଲୁଁ ରମଣ ।

ତେଣୁ ଆମ୍ଭଙ୍କୁ କ୍ଷୀରାବଧି ସୁତା ଦେଲେ ଶାପ

ବୋଇଲେକ ଶତେ ଜନ୍ମ ହୁଅରେ କୌଣପ ।

ଏରୂପେ ଶାପ ଦେଇଣ ଗଲେ କମଳିନୀ

ସେଠାରୁ ରହିଛୁ ଦୈତ୍ୟ ହୋଇ ଆମ୍ଭେ ପୁଣି ।

ଶୁଣିଣ ତାହା ମୁହୂର୍ତ୍ତେ ଆମ୍ଭେ ତୁନି ହୋଇ

ବୋଇଲୁ କେଡ଼େ କୃତ୍ୟରେ କଲ ବେନିଭାଇ ।

ପୂର୍ବେତ ଚଣ୍ଡ ପ୍ରଚଣ୍ଡ ରୂପେ ଜନ୍ମିଥିଲ

କିଛି ଭାଗ୍ୟ ଥିବାରୁ ଯେ ନୂଆ ଜନ୍ମ ହେଲେ ।

ଧର୍ମରାଜା ସୁଦୟାରୁ ଆସିଲ ମୋ ପୁର

ଜୟ ବିଜୟ ହୋଇଣ ଲାଗିଲ ଦୁଆର ।

ବିଷ୍ଣୁ ମନ୍ଦିରେ ପଶି ଯେ କହେ ଚାରିକଥା

ବିଷ୍ଣୁ ଦଣ୍ଡ ପଡ଼େ ଆସି ତାହାଙ୍କର ମଥା ।

ସେ ଚାରି କଥାର ନାମ କହିବା ହେ ପୁଣ

ରମଣ ଚୋରି ମିଥ୍ୟା ଯେ ଆବର ନିୟମ ।

ଏ ଚାରିକୁ ଦଣ୍ଡ କଥା ଶୁଣ ଗୋଟି ଗୋଟି

ବ୍ରହ୍ମା କହନ୍ତି ନାରଦେ ଶ୍ରୀମୁଖେ କଥାଟି ।

ଦେବତା ଆଳୟେ ପଶି ନିୟମ ଯେ କରେ କାହାକୁ ତ ମନ୍ଦବ୍ୟାଧି ଘୋଟେ ତତପରେ ।

ଦେବତା ଆଳୟେ ପଶି କହନ୍ତି ଯେ ମିଥ୍ୟା

ତାହାଙ୍କୁ ନିଶ୍ଚୟ ଜାଣ ଘୋଟେ ପେଟବ୍ୟଥା ।

ଦେବତା ଆଳୟେ ପଶି କରଇ ଯେ ଚୋରି

ଅଳପକେ ମୁଣ୍ତକାଟ ହୋଇଯାଏ ମରି ।

ଦେବତା ଆଳୟେ ପଳି ମରଣ ଯେ ଇଚ୍ଛେ

ଜନ୍ମନ୍ତି ସେମାନେ ଦୈତ୍ୟ ହୋଇ ଜାଣ ମଞ୍ଚେ।

ଦେବଙ୍କର ଭୂମିବୃତ୍ତି ହରଣ ଯେ କରେ

ତା ପୁତ୍ର ନାତି ଦରିଦ୍ର ହୁଅଇ ସଂସାରେ ।

ଜଗତ ମାତାର ଶାପ ଅନ୍ୟଥା ହେବକି

ଜନ୍ମିଲେଟି ସତଥର କେହି ରଖିବକି ।

ଏଥକୁ ଶୁଣ କହୁଛୁ ଆମ୍ଭେ ଆଜ୍ଞା ଦେଇ

ଚାରିଥର ଯାଏ ତୁମ୍ଭେ ଜନମିବ ଯାଇଁ ।

ମୁର ଦାରୁଣ ହିରଣ୍ୟ ପୁଣି ହିରଣ୍ୟାକ୍ଷ

ରାବଣ ଯେ କୁମ୍ଭକର୍ଣ୍ଣ ତଦୁତ୍ତାରେ ମୋକ୍ଷ ।

ଏତିକି ଜନମ ଅନ୍ତେ ମାନବ ଯେ ହୋଇ

ଜନମିବ ଶାଲୁ ଶିଶୁପାଳ ରୂପ ବହି ।

ପ୍ରଥମେ ଯାଇ ବ୍ରହ୍ମାର ବୀର୍ଯ୍ୟେ ଜାତ ହେବ

ଦ୍ୱିତୀୟେ କାଶ୍ୟପଋଷି ସୁତ ବୋଲାଇବ ।

ତୃତୀୟେ ହେବ ବିଶ୍ରବା ଋଷିର ଯେ ପୁଅ

ଚତୁର୍ଥରେ ଦମଘୋଷ ବୀର୍ଯ୍ୟେ ଜନ୍ମ ହୁଅ ।

ଆଦ୍ୟେ ମରିବ ନୃସିଂହ ପ୍ରଭୁ ପାଦଘାତେ

ଦ୍ୱିତୀୟେ ଜନ୍ମି ମରିବ ବିଷ୍ଣୁ ନଖକ୍ଷତେ ।

ମରିବ ତୃତୀୟ ଜନ୍ମେ ବ୍ରହ୍ମଶକ୍ତି ପଡ଼ି

ଆସିବ ଚତୁର୍ଥେ ମୋକ୍ଷ ହୋଇ ଚକ୍ରେ ଛିଡ଼ି ।

ତିନି ଜନ୍ମଯାଏ ତୁମ୍ଭେ ଅସୁର ଯେ ହେବ

ମାନବ ଜନ୍ମ ହୋଇଣ ବୈକୁଣ୍ଠେ ଆସିବ ।

ଏହିରୂପେ ଦୁଆରୀଙ୍କୁ ଆମ୍ଭେ ଆଜ୍ଞା ଦେଇ

ନିଜ ମନ୍ଦିରକୁ ଚଳିଗଲେ ବିଜେ ହୋଇ ।

କହନ୍ତି ଯେ ମହାପ୍ରଭୁ ଶୁଣ ବେଦବର

ତାହାଙ୍କ ପାଇଁ ହୋଇଛୁ ଆମ୍ଭେ ଅବତାର ।

କ୍ଳେଶକୁ ନ ପାଞ୍ଚି ଆଉ ଅଳ୍ପଦିନ ଥାଅ

ତୁମ୍ଭଙ୍କୁ ଜଣା ତ ସବୁ ଆମ୍ଭର ବିଷୟ ।

ଜାଣିଥିବାରୁ ପୁଚ୍ଛିଲ ସିନା ଏହା ତୁମ୍ଭେ

ଶୁଣିବ ବ୍ରହ୍ମା ପୁଚ୍ଛିଲେ ପୁଣି କଥା ଭାବେ ।

ନୃସିଂହ ବୋଇଲେ ଏବେ ବିଜେ କରିଯାଅ

ଦେବତାଙ୍କୁ ଘେନି ମୋତେ ଦୟା କରିଥାଅ ।

ଶୁଣିଣ ତା ବିଧାତା ଯେ ହେଲେ ହସ ହସ

ଦେବତାଙ୍କୁ ଘେନିଣ ସେ ଗଲେ ସ୍ୱର୍ଗବାସ ।

ଏଥିଉତ୍ତାରେ ନୃସିଂହ ସ୍ୱାମୀ ଆଦିମୂଳ

ମରୁତ ବସିଣ ସଞ୍ଚା କଲେ ତତକାଳ ।

କର୍ଣ୍ଣାଟେଶ୍ୱର ନୃପତି ସୁଜାଣ ଆବର

ଏହାଙ୍କୁ ବୋଲିଲେ ଚଳିଯାଅ ଯେଝାପୁର ।

ଶ୍ରୀଆଜ୍ଞା ପାଇଣ ସର୍ବେ ଗଲେ ସୈନ୍ୟଘେନି

ଶ୍ରୀନୃସିଂହ ବିଜେକଲେ କରି ଶଙ୍ଖଧ୍ୱନି ।

ବେନି ଭାଇ ଯେ ପହଣ୍ତି ବିଜେକଲା ପ୍ରାୟେ

ମିଳନ୍ତେ ଗୃହରେ ଯାଇ ପୃଥ୍ୱୀ ଶୋଭା ପାଏ ।

ପୁତ୍ରଙ୍କୁ ଘେନିଣ କୃଷ୍ଣବଲ୍ଲଭ ନୃପମଣି

ଭିତରପୁରେ ଯାଇଣ ଦେହେ ଦେଇ ପାଣି ।

ଶ୍ରୀନୃସିଂହ ବେନିଭାଇ ସ୍ନାନବିଧି ସାରି

ନର ନାରାୟଣ ବସିଲେକ ପୂଜାକରି ।

ତହିଁ ଉତ୍ତାରେ ଶଙ୍କର ପୂଜି ପୁଣି ଆସି

ବ୍ରାହ୍ମଣ ଶମ୍ଭୁ ଘେନିଣ ଦେବାର୍ଚ୍ଚନେ ବସି ।

ବତିଶ ଯର ନୃସିଂହ ମହାମନ୍ତ୍ର ଯେହୁ

ଭଜନ କରିଣ ବସିଲେ ତାହା ମହାବାହୁ ।

ତିଳକ ପୂଜା ସାରିଣ ବିପ୍ର ହସ୍ତ ଧରି

ଘେନନ୍ତି ସେ ଆଶୀର୍ବାଦ ପୂଜା ନିର୍ଭାବରି ।

ଯାବତ ଜୀବପରେ ଯେ ପ୍ରଭୁ ମୋକ୍ଷପ୍ରଦ

ରାଜତ୍ୱ ଯୋଗୁଁ ଘେନନ୍ତି ସେହି ଆଶୀର୍ବାଦ ।

ସକଳ ପ୍ରାଣୀଙ୍କର ସେ ପ୍ରଭୁ ଅଟେ ଆୟୁ

ରାଜତ୍ୱ ଥିବାରୁ ଘେନେ କଲ୍ୟାଣଟି ସେହୁ ।

ଏଥିଉତ୍ତାରେ ନାରଦ ଋଷି ଶୁଣ ଏବେ

ମଣୋହି କୋଠାକୁ ବିଜେ କଲେ ଦେବଦେବେ।

ରତ୍ନପୀଢ଼ାରେ ନୃସିଂହ ପ୍ରଭୁ ବିଜେ କରି

ବିଷ୍ଣୁ ବିଷ୍ଣୁ କହି ନୀର ସିଞ୍ଚନ୍ତି ଶ୍ରୀହରି ।

କୃଷ୍ଣବଲ୍ଲଭ ରାଜା ଶ୍ରୀ ଭଗବତୀ ରାଣୀ

ବସିଲେ ଅନନ୍ତ ସହିତେଣ ସିଞ୍ଚି ପାଣି ।

ଯେଉଁ ଧର୍ମ ସାଂସାରିକ ଅଟେ ବିଧିମାନ

ପୁତ୍ର ପତ୍ନୀକି ଘେନିଣ ବସି ଭୁଞ୍ଜୁ ଅନ୍ନ ।

ସୁବୁଦ୍ଧି ସୁଲକ୍ଷଣା ଯା ଘରେ ବଧୂଥିବ

ସେ ଘରର ପୁଣ୍ୟ ଧର୍ମ କେ କହି ପାରିବ ।

ବରୁଣ ରାଜାର ଝିଅ ଯେଉଁ କମଳିନୀ

ସମ୍ପାଦି ଅଛନ୍ତି ପାକ ପ୍ରଭୁ ମନଜାଣି ।

ନୃସିଂହଙ୍କୁ ପରଷି ସୁବାସ ଶାଳୀଅନ୍ନ

ରନ୍ଧନ ଶତେକ ପ୍ରତି ହୋଇଛି ବ୍ୟଞ୍ଜନ ।

ନାନାଦି ବର୍ଣ୍ଣେ ପିଷ୍ଟକ ଭଜା ଶତେ ପ୍ରତି

ପୁଳୀ ନାଡୀ ମନୋହର ଅପମାଲୁ କାନ୍ତି ।

ଷଡ଼ରସ ନିର୍ଭାକରି ଅଛନ୍ତି ଯାବତ

ମଣୋହି ରାଜନୀତିରେ ଯେଉଁ ବିଧିମତ ।

ନୀଳଗିରି ଜଗନ୍ନାଥ ଭୋଗଲାଗି ପ୍ରାୟେ

ଦିଅନ୍ତି ବାଢ଼ି ସେ ଲକ୍ଷ୍ମୀ ଜଗଚ୍ଛନ ମାୟେ ।

ସ୍ୱାମୀ ଦିଅର ଯେ ଶାଶୁ ଶ୍ୱଶୁର ଅଗ୍ରତେ

ପରଶନ୍ତି ମହାଲକ୍ଷ୍ମୀ ଭୁଞ୍ଜନ୍ତି ସମସ୍ତେ ।

ରତ୍ନ ସିଂହାସନେ ବଳଭଦ୍ର ଜଗନ୍ନାଥେ

ହୁଅନ୍ତି ଯେରୂପେ ଭୋଗ ଲାଗି ପ୍ରଭୁ ବିଜେ ।

ସେହି ରୂପେ ଶ୍ରୀନୃସିଂହ ପ୍ରଭୁ ଶେଷ ମୂର୍ତ୍ତି

ମଣୋହି ବିଧାନ ସାରି ଆଚମନ ହ୍ୱନ୍ତି ।

ସୁବାସ ଜଳେ ଶ୍ରୀମୁଖ ପ୍ରକ୍ଷାଳନ କରି

ସିଂହାସନେ ଯାଇ ବିଜେ କଲେ ଦେବହରି ।

ଶ୍ରୀକରେ ବସନ ଧରି ମୁଖପଦ୍ମ ପୋଛି

ଗୁଆ ପାନ ଲାଗି ପ୍ରଭୁ ହୋଇଲେ ଶ୍ରୀବତ୍ସି ।

ପିତା ମାତା ମଣୋହି ସାରିଲେ ମନତୋଷେ

ଭୁଞ୍ଜିଲେକ ମହାଲକ୍ଷ୍ମୀ ଦେବୀ ଅବଶେଷେ ।

ଭୁଞ୍ଜିଲେକ ଈଳା ଦେବୀ ଅନନ୍ତଙ୍କ ଶେଷ

ମୁଖ ପଖାଳି ସାରିଣ ହୋଇଲେ ସୁବେଶ ।

ଲକ୍ଷ୍ମୀଙ୍କ ମଣୋହି ଅନ୍ତେ ଯେତେ ଥିଲା ବଳି

ଚୌଷଠି ସହସ୍ର କନ୍ୟା ଭୁଞ୍ଜିଲେ ତା ତୋଳି ।

ଆବର ଭୁଞ୍ଜିଲେ ଅଷ୍ଟସଖୀ ମନତୋଷେ

ସେବାରେ ଥିବାଜନେ ଯେ ଭୁଞ୍ଜିଲେ ସନ୍ତୋଷେ ।

ଲକ୍ଷ୍ମୀଙ୍କ କୃପାରୁ ସର୍ବେ ଭୁଞ୍ଜି ହେଲେ ତୋଷ

ଦିବସ ଯେ ଗଲା ଭୋଗ ନିଶି ପରବେଶ ।

ଏଥି ଉତ୍ତାରେ ଆସିଣ ହ୍ୱନ୍ତେ ସନ୍ଧ୍ୟାକାଳ

ଧୂପ ଦୀପ ଆଳତି ଯେ କଲେ ଦେବଆଳ ।

ବସିଲେକ ସନ୍ଧ୍ୟାକରି ପ୍ରଭୁ ଅନ୍ତର୍ଯ୍ୟାମୀ

ଜପିଲେ ଗାୟତ୍ରୀ ମନ୍ତ୍ର ମନେ ଦେବ ସ୍ୱାମୀ ।

ଶ୍ରୀଗାୟତ୍ରୀ ମାତାଙ୍କୁ ଯେ ଧ୍ୟାନ କରୁ ଚିତ୍ତେ ଚାରି ପାଦରେ ପ୍ରବେଶ ହେଲେ ଆସିମୋତେ।

ଗାୟତ୍ରୀର ଚାରିପାଦ ଅଟେ ଚାରିବେଦ

ଏ ଚାରିପାଦକୁ ଚିହ୍ନିଥାନ୍ତି ଋଷିବୃନ୍ଦ ।

ଚତୁଷ୍ପଦ ଗାୟତ୍ରୀ ଯେ ରୂପେ ହୋନ୍ତି ଜାଣ

ତହିଁର ଯେ ସନ୍ଧିଭେଦ କହିବା ତା ଶୁଣ ।

ଚାରିପାଦ ନୋହି କେବେ ଚାଲିବ କି ଗାଈ

ତ୍ରିପାଦ ଭଜନ୍ତି ବିପ୍ର ଭେଦ ଚିହ୍ନି ନୋହି ।

ଗାୟତ୍ରୀ ଷଷ୍ଟି ଅକ୍ଷର ତ୍ରିପାଦ ହେ ଜାଣି

ଚତୁଷ୍ପଦା ଗାୟତ୍ରୀ ଯେ କହିବା ତା ଶୁଣି ।

ଚଉଷଠି ବର୍ଣ୍ଣ ସ୍ଥାପି ଗାୟତ୍ରୀ କହିଲେ ତେବେ ଚାରିପାଦେ ଦେବୀଗାୟତ୍ରୀ ଯେ ଚାଲେ ।

ତ୍ରିପଦା ଗାୟତିରୀକି ଜପ କରୁଥିଲେ ବାଙ୍କ ବକ୍ର ହୋଇ ଚାଲୁଥାନ୍ତି ଗେଲେ ଗେଲେ ।

ତ୍ରିପଦା ଭଳି ବିପ୍ରେ ନ ଭଜି ଚତୁଷ୍ପଦା

ଗାୟତ୍ରୀ ବିଫଳ ଏଣୁ ହୁଅନ୍ତି ସର୍ବଦା ।

ଜପନ୍ତି ଗାୟତ୍ରୀ ଷାଠୀକ୍ଷର ବିପ୍ର ଜଳେ

ଚୌଷଠିକ୍ଷର ବନ୍ଦ ନ ଭଜେ କେତେବେଳେ ।

ଗାୟତ୍ରୀ ଷଷ୍ଠି ବର୍ଣ୍ଣକୁ ଯେବେ ସେ ଭଜନ୍ତି

ତେବେ ପ୍ରସନ୍ନ ତାହାଙ୍କୁ ଗାୟତ୍ରୀ ହୁଅନ୍ତି ।

ଚଉଷଠି ବର୍ଣ୍ଣ ଗାୟତ୍ରୀ ଯେ ଚକ୍ରୋପାଧି

ଚତୁଷ୍ପଦେ ଜପକଲେ ଯାହା ଦୟାନିଧି ।

ବ୍ରହ୍ମାର ତ୍ରିଦଶ ବର୍ଣ୍ଣ ଆଦ୍ୟେ ଲେଖା ହୋଇ

ଚବିଶ ଅକ୍ଷର ଜାଣ ତ୍ରିଦଶ ବୋଲାଇ ।

ଚୂଡ଼ା ଚତୁର୍ଦ୍ଦଶ ଶ୍ରବଣକୁ ଦଶ ବୁଝି

ବ୍ରହ୍ମା ଚାରିକ୍ଷର ଏଥି ଭିତରେ ଯେ ଖଞ୍ଜି ।

ଏତେକ ଅକ୍ଷକ ଯାକ ହେଲେ ଚଉଶଠୀ

ଜପିଲେ ଏହ୍ନେ ଗାୟତ୍ରୀ ମନ୍ତ୍ର ନୃସିଂହଟି ।

ଆସନ ମନ୍ତ୍ରରୁ ସୋଽହଂସ କାଣ୍ତି ଯାଏ

ସନ୍ଧ୍ୟାର ସନ୍ଧି ସାରିଣ ପ୍ରଭୁ କଲେ ଧ୍ୟାଏ ।

ସେ ହଂସ ବେନି ଅକ୍ଷର ସର୍ବ ଆତ୍ମା ଜାଣ

ଗାୟତ୍ରୀର ହୃଦପଦ୍ମେ ବିଜେ ନାରାୟଣ ।

ସେହି ନାରାୟଣ ପ୍ରଭୁ ସବୁଙ୍କର ଆତ୍ମା

ଏ କଥା ବ୍ରାହ୍ମଣ୍ତେ ଚିହ୍ନି ପାରନ୍ତି ଜାଣିମା ।

ସବୁ ଜୀବ ହୃଦପଦ୍ମେ ଗାୟତ୍ରୀ ମନ୍ତ୍ରଟି

ଭଜନ ହେଉଛି କେହି ଚିହ୍ନି ନ ପାରେଟି ।

କେବଳ ଗାୟତ୍ରୀ ମନ୍ତ୍ର ବ୍ରାହ୍ମଣ ଯେ ଚିହ୍ନି

ଭଜନ କରୁଅଛନ୍ତି ସନ୍ଧ୍ୟାକାଳେ ମାନି ।

ଗାୟତରୀ ଚତୁଷ୍ପଦା ସ୍ୱୟଂ ବ୍ରହ୍ମ ଅଟେ

ଦିବାରାତ୍ରେ ଜପ ହେଉଅଛି ସର୍ବଘଟେ ।

ଏ ରୂପେ ନୃସିଂହ ପ୍ରଭୁ ସାରି ସନ୍ଧ୍ୟାକର୍ମ

ଶୟନ ମନ୍ଦିରେ ବିଜେ କଲେ ପରଂବ୍ରହ୍ମ ।

ଈଳାଠାକୁରାଣୀପୁରେ ଶେଷଦେବ ଯାଇ

ପଲ୍ୟଙ୍କରେ ବିଜେ କଲେ ନିଦ୍ରା ଯିବା ପାଇଁ ।

ଦେଖିଣ ଈଳାଦେବୀ ଶ୍ରୀପାଦ ସେବା କଲେ

ସେବାକାରୀ ଜନମାନେ ଅନ୍ତର ହୋଇଲେ ।

ଏଥିଉତ୍ତାରୁ ନୃସିଂହ ପ୍ରଭୁ ଦେବରାଜେ

ଶ୍ରୀମହାଲକ୍ଷ୍ମୀ ମନ୍ଦିରେ କଲେ ଯାଇଁ ବିଜେ ।

ଚୌଷଠି ସହସ୍ର କନ୍ୟା ଆଉ ଅଷ୍ଟସଖୀ

ସବୁରି ମଧ୍ୟରେ ବର୍ତ୍ତିଛନ୍ତି କମଳାକ୍ଷୀ ।

ଫୁଲେ ଭୂଷଣ ହୁଅନ୍ତେ ଦିଶିଲେ ସେ ଶୋଭା

ଲକ୍ଷ୍ମୀସେବା କରୁଛନ୍ତି ଆଗୋ ହୋଇ ଉଭା ।

ସବୁରି ଶିରେ କେତକୀ ମଲ୍ଲୀ ଜାଇ ଯୁତି

ଟଗର ତରାଟ କୁନ୍ଦ ବକୁଳ ମାଳତୀ ।

ଫୁଲର ଗଭା କିରଣେ ବାସନା ଚହଟେ ।

କର୍ପୂରଗୁଣ୍ତି ପଡ଼ିଛି ଏଣେ ଶଯ୍ୟାଖଟେ ।

ଫୁଲରେ ଭୂଷଣ ହୋଇ ସକଳ ନାୟିକା ।

ଲକ୍ଷ୍ମୀଙ୍କି ସେବନ୍ତି ଘେନି ଚନ୍ଦନର ଟୀକା ।

ପଲ୍ୟଙ୍କରେ ବିଜେ କରିଛନ୍ତି କମଳିନୀ

ପ୍ରଦୀପେ ଜଳନ୍ତି ଧୀରେ ଧୀରେ ଶିଖା ଘେନି ।

ଦିବସୁ ଅଧିକ ଦିଶେ ଉଜ୍ଜ୍ୱଳ ସେ ନିଶି

ଏମନ୍ତ ସମୟେ ହରି ବିଜେକଲେ ଆସି ।

ନାୟିକାଙ୍କ ଚାତୁରୀ ଯେ ଦେଖି ଚକ୍ରପାଣି

ବୋଇଲେ ଏ ବେଶକୁ ତ ରସ ଊଣା ପୁଣି ।

ନ ଜାଣି ଏ ରତିଶାସ୍ତ୍ର ସୁବେଶ ଯେ ହେଲେ

ତାର ଭାବ ମାର୍ଗ ଲେଖି ଚିତ୍ରରେଖା ତୁଲେ ।

ଶାସ୍ତ୍ର ଅର୍ଥ ନ ବୁଝି ଯେ ରମଣ କରଇ

ପଶୁ ଜନ୍ତୁ ରତି ପ୍ରାୟ ତାହା ଲେଖା ହୋଇ ।

 

      


 

ଚନ୍ଦ୍ରକଳା ସ୍ଥାନ ନିର୍ଣ୍ଣୟ ଓ ସ୍ତ୍ରୀ ପୁରୁଷଙ୍କର ଲକ୍ଷଣ

 

ଶୁଣିଣ ନାୟିକାଗଣ ଯୋଡ଼ି କରପତ୍ର

ବୋଇଲେ ଶୁଣିମା କହ ସ୍ୱାମୀ ରତିଶାସ୍ତ୍ର ।

ଶ୍ରୀମୁଖରେ ଶୁଣିଥିଲେ ସଂସାର ଲୋକଙ୍କୁ

ପ୍ରଚଳ ହୋଇବ କଥା ରହିବ ଯୁଗକୁ ।

ବୁଝିଲେ ଏଠାରେ ଆଉ ପୁରୁଷ କେ ନାହିଁ

ଶୁଣିବୁ ଶ୍ରୀମୁଖୁ କହି ଦେବ ଭାବଗ୍ରାହୀ ।

ଶ୍ରୀନୃସିଂହ ଆଜ୍ଞାକଲେ ଶୁଣ ସଖୀଗଣ

ଶ୍ରୀଚନ୍ଦ୍ରକଳା ଯେ ସ୍ତ୍ରୀ ପୁରୁଷ ଲକ୍ଷଣ ।

ପୁରୁଷ କଳା ଯେ ରବି ଚନ୍ଦ୍ରକଳା ସ୍ତିରୀ

ସେ ଚନ୍ଦ୍ରକଳାରୁ ମାର୍ଗ ହୁଏ ତିଥି ଧରି ।

କୃଷ୍ଣ ଶୁକ୍ଳପକ୍ଷେ ଯେହ୍ନେ ହୁଅନ୍ତି ଯେ ଉଦେ

ସେ କଥାମାନଙ୍କୁ ଚିହ୍ନି ଚାଲିବଟି ହୃଦେ ।

ଚନ୍ଦ୍ରଙ୍କ ଉଦୟ ସ୍ଥାନ ଶୁଣ ଶାସ୍ତ୍ରମତେ

ଯେଉଁ ସ୍ଥାନରେ ବସନ୍ତି ଶଶୀ ସ୍ତିରୀଗାତ୍ରେ ।

ପ୍ରଥମରେ ଶୁକ୍ଳପକ୍ଷେ ଉଦେ ହୋଇ ଶଶୀ

ବୃଦ୍ଧ ଅଙ୍ଗୁଳିରେ ବସେ ପ୍ରତିପଦା ନିଶି ।

ଦ୍ୱିତୀୟା ଦିନ ସେ ଯାଇ ପାଦେ କଲେ ସ୍ଥିତି

ଚନ୍ଦ୍ରକୁ ନ ଚିହ୍ନି ଜନେ ମେଳେ ଥାନ୍ତି ମାତି ।

ତୃତୀୟା ଦିନରେ ଚନ୍ଦ୍ର ଚାଲେ କରେ ବାସ

ଚତୁର୍ଥୀ ତିଥିରେ ପାଏ ଜାନୁରେ ପ୍ରକାଶ ।

ପଞ୍ଚମୀ ତିଥିରେ ଶଶୀ ନାବିବନ୍ଧେ ରହେ

ଷଷ୍ଠୀର ତିଥିରେ ସେ ନାଭିମଣ୍ତଳରେ ଥାଏ ।

ସପ୍ତମୀ ତିଥୀରେ ରହେ ହୃଦୟରେ ଆସି

ଅଷ୍ଟମୀ ତିଥିରେ ଥାଏ କୃଷିଭାଗେ ବସି ।

ନବମୀ ତିଥିରେ ଥାଏ ପୟୋଧର ବ୍ୟଗ୍ରେ

ପ୍ରବେଶ ହୁଅନ୍ତି ଚନ୍ଦ୍ର ଯାଇଁ ତହିଁ ବ୍ୟଗ୍ରେ ।

ଦଶମୀ ତିଥିରେ ଜାଣ ଗଣ୍ତଯୁଗେ ରହେ

ଦିନକୁ ଦିନ ତା କଳାଗୋଟି ବଢ଼ୁଥାଏ ।

ଏକାଦଶୀରେ ଅଧରେ ଇନ୍ଦ୍ର କରେ ବାସ

ଦ୍ୱାଦଶ ତିଥିରେ ହୋଏ ନୟନେ ପ୍ରକାଶ ।

ତ୍ରୟୋଦଶୀ ତିଥିରେ ସେ ଶ୍ରବଣେ ରହଇ

ଚତୁର୍ଦ୍ଦଶୀ ତିଥିରେ ସେ ଭାଲେ ପୁଣ ଥାଇ ।

ପୂର୍ଣ୍ଣମୀ ତିଥିରେ ରହେ ଶଶୀ ମଥାପରେ

ଏହାରୂପେ ଶୁକ୍ଳପକ୍ଷ ପୂରିଲା ଉତ୍ତାରେ ।

ଖସନ୍ତି ଚନ୍ଦ୍ରମା ଜାଣ ସ୍ତିରୀଙ୍କ ମଥାରୁ

କୃଷ୍ଣପକ୍ଷର ସେ ସ୍ଥାନ ଶୁଣ ଏ ଉତ୍ତାରୁ ।

ଯୁବତୀ ଦକ୍ଷିଣ ଭାଗେ ଶଶୀ ଖସି ଆସେ

କୃଷ୍ଣ ପ୍ରତିପଦା ଦିନ ଲଲାଟରେ ବସେ ।

ଦ୍ୱିତୀୟା ଦିନ ସେ ନେତ୍ରେ ଉଦୟ ହୁଅନ୍ତି

ତୃତୀୟା ଦିନ ଅଧରେ ଯାଇଁ ପ୍ରକାଶନ୍ତି ।

ଚତୁର୍ଥୀ ଦିନ ବସଇ ଚନ୍ଦ୍ରକଳା କର୍ଣ୍ଣେ

ନୃସିଂହ ବୋଲନ୍ତି ଶୁଣ ହୋ ନାୟିକାଗଣେ ।

ପଞ୍ଚମୀ ତିଥିରେ ଶଶୀରହେ କୃଷିଭାଗେ

ଷଷ୍ଠି ତିଥିରେ ରହଇ ଚନ୍ଦ୍ର ସ୍ତନଯୁଗେ ।

ସପ୍ତମୀ ତିଥିରେ ରହେ ଯାଇ ନାଭିଦେଶେ

ଅଷ୍ଟମୀ ତିଥିରେ ଚନ୍ଦ୍ର ନିତମ୍ବେ ପ୍ରକାଶେ ।

ନବମୀ ତିଥିରେ ଚନ୍ଦ୍ର ଜାନୁରେ ରହଇ

ଦଶମୀ ତିଥିରେ ଜଙ୍ଘେ ଚନ୍ଦ୍ର ପ୍ରକାଶଇ ।

ଏକାଦଶୀରେ ଚନ୍ଦ୍ରମା ଜାନୁମଧ୍ୟେ ଥାଏ

ବିଶ୍ରାମଇ ଚନ୍ଦ୍ର ରାତ୍ର ପାହିଯିବା ଯାଏ ।

ଦ୍ୱାଦଶୀରେ ପାଦଗଣ୍ଠି ଗୁଳ୍‌ଫରେ ଯେ ଚନ୍ଦ୍ର

ତ୍ରୟୋଦଶୀ ଦିନ ନଖ ଅଗ୍ରେ କଇବନ୍ଧ ।

ଚତୁର୍ଦ୍ଦଶୀରେ ରହଇ ପାଦ ଅଙ୍ଗୁଳିରେ

ଅମାବାସ୍ୟାରେ ସେ ଥାଇ ବୃଦ୍ଧ ଅଙ୍ଗୁଷ୍ଠିରେ ।

ଏ ରୂପେ ସ୍ତିରୀଙ୍କ ଦେହ ଚନ୍ଦ୍ରକଳା ସ୍ଥିତି

ଶୁଣ ଆଗୋ ନାୟିକାଏ ନୃସିଂହ କହନ୍ତି ।

ସଂସାରେ ଅଛନ୍ତି ଜାଣ ଚାରିଜାତି ସ୍ତିରୀ

ତାହାଙ୍କ ଲକ୍ଷଣମାନ କହୁଛୁଁ ବିସ୍ତାରି ।

ପଦ୍ମିନୀ ଚିତ୍ରିଣୀ ଆଉ ଶଙ୍ଖିନୀ ହସ୍ତିନୀ

ସୃଜିଅଛନ୍ତି ଏ ଚାରି ସ୍ତିରୀ ପଦ୍ମଯୋନି ।

ଏ ଚାରି ସ୍ତିରୀଙ୍କୁ ଚାରି ପୁରୁଷ ଯେ ଖଞ୍ଜେ

ପୁଣ ନାୟିକାଏ କହୁଛନ୍ତି ଦେବରାଜେ ।

ଶଶକ ହରିଣ ବୃଷ ଅଶ୍ୱ ଚାରି ଜାତି

ପୁରୁଷମାନେଟି ଏହି ସଂସାରେ ଅଛନ୍ତି ।

ସ୍ତିରୀଜାତିଙ୍କି ଯେ ପୁଂସ ଛନ୍ତି ଚାରିଜାତି

ସେ ସ୍ତ୍ରୀ ପୁରୁଷ ଗୁଣ କହିବା ଯେ ରୀତି ।

ପ୍ରଥମେ ଶୁଣ ଗୋ ଶଶ ପୁରୁଷଙ୍କ କଥା

କନ୍ଧରୁ ଲକ୍ଷ୍ମୀ ତାହାର ନଛାଡ଼େ ସର୍ବଥା ।

ସୁଜ୍ଞାନୀ ସୁରସ ଭୋଗୀ ଦାତା ସତ୍ୟବନ୍ତ

ସୁବୁଦ୍ଧି ଯେ ସାଧୁଶୀଳ ଦୟାଳୁ ପଣ୍ତିତ ।

ସକଳ ଆତ୍ମାରେ ସମଦରଶୀ ସେ ଅଟେ

ଆପଣାର ଆତ୍ମାକୁ ସେ ଚିହ୍ନେ ସର୍ବଘଟେ ।

ବତିଶ ଲକ୍ଷଣ ତାର ଅଙ୍ଗେ ବିରାଜଇ

ପଦ୍ମିନୀ ସ୍ତିରୀର ସଙ୍ଗେ ସଦା ବିରାଜଇ ।

ଲିଙ୍ଗଚକ୍ର ମାପ ତାର ଅଟେ ଷଡ଼ାଙ୍ଗୁଳ

ଶୁଣ ସଖାଏ କହନ୍ତି ପ୍ରଭୁ ଆଦିମୂଳ ।

ମୃଗଜାତ ପୁରୁଷଙ୍କ କହୁଛୁଁ ଲକ୍ଷଣ

ଅତ୍ୟନ୍ତ ସୌନ୍ଦର୍ଯ୍ୟ ଦେହ ଅତ ସୁଗଠନ ।

ଧର୍ମରେ ସେ ସବୁଦିନେ ଚଳେ ଅବିରତେ

ପରମାର୍ଥ ତୀର୍ଥବ୍ରତ କରେ ତୋଷ ଚିତ୍ତେ ।

କୋମଳ ମଧୁରଭାଷୀ ଅଟେ ଶୁଦ୍ଧ ଅଙ୍ଗ

ଚିତ୍ରିଣୀ ସ୍ତିରୀ ତାହାର ଜାଣ ନିତ୍ୟ ଭୋଗ ।

ସପ୍ତାଙ୍ଗୁଳ ଅଟଇ ତା ମାପ ଚିତ୍ରଲିଙ୍ଗ

ଶୁଣ ଆଗୋ ନାୟିକାଏ କହନ୍ତି ନୃସିଂହ ।

ବୃଷଜାତି ପୁରୁଷର ଲକ୍ଷଣ ଗୋ ଶୁଣ

ଶଙ୍ଖିନୀଜାତି ସ୍ତିରୀଙ୍କି କରେ ଭୋଗ ପୁଣ ।

ରସରେ ରସିକ ତର୍କ ବହୁତ ଜାଣଇ

ଛତିଶ ରାଗିଣୀ ଛନ୍ଦ ଗୀତ ପାରେ ଗାଇ ।

ସିତାର ବଇଁଶୀ ବୀଣା ବାଇ ବେଶ୍ୟାସଙ୍ଗେ

ଶକଟାପଶା ଯେ ଯୁତ ଖେଳେ ନାନାରଙ୍ଗେ ।

ଗଣିକାଙ୍କ ତୁଲେ ମାତି ରସେ ଚିତ୍ତ ଭ୍ରମି

ପୁରୁଷମାନଙ୍କ ମଧ୍ୟେ ଦ୍ୱିଗୁଣ ସେ କାମୀ ।

ଶଙ୍ଖିନୀ ସ୍ତ୍ରୀଜାତି ଯେ ଅଟେ ତାର ପ୍ରିୟା

ନବାଙ୍ଗୁଳ ମାପ ତାର ଲିଙ୍ଗଚକ୍ର କାୟା ।

ଅଶ୍ୱଜାତି ପୁଂସ କଥା କହିବା ଗୋ ଶୁଣ

ପାଷାଣ୍ତ ହୃଦୟ ଦମ୍ଭ ଅଟଇ ସେ ପୁଣ ।

ମାୟା ଛନ୍ଦ କଥା ବହୁତ ଜାଣଇ

ହସ୍ତିନୀ ସ୍ତିରୀଙ୍କ ସଙ୍ଗେ ଭୋଗେ ବିଳସଇ ।

ଦଶାଙ୍ଗୁଳ ଅଟେ ତାର ଲିଙ୍ଗଚକ୍ର ମାପ

ଚାରିଜାତି ପୁରୁଷଙ୍କ ଲକ୍ଷଣ ଏ ରୂପ ।

ଏଥିଉତ୍ତାରେ ଯେ ପୁଣି ଶୁଣ ସଖିଗଣ

ଯୁବତୀ ଚାରିଜାତିଙ୍କ କହିବା ଲକ୍ଷଣ ।

ଆଦ୍ୟରେ ଯେ ପଦ୍ମିନୀର ଗୁଣ କହୁଥାଇ

ପୂର୍ଣ୍ଣଚନ୍ଦ୍ର ମୁଖୀ ପଦ୍ମପତ୍ର ନେତ୍ରା ସେହି ।

ପଦ୍ମିନୀର ପାଦଚିହ୍ନ ଚିତ୍ରିଣୀର ଶୋଭା

ଏ ଚାରି ସ୍ତିରୀଙ୍କ ଦେହ ବାସନା କହିବା ।

ପଦ୍ମିନୀ ସ୍ତିରୀଙ୍କ ଦେହ ବାସେ ପଦ୍ମପ୍ରାୟେ

ଚିତ୍ରିଣୀ ସ୍ତିରୀର ବାସ କର୍ପୂର ପରୀୟ ।

ଶଙ୍ଖିନୀ ସ୍ତିରୀର ଦେହ ବାସେ ଆଇଁସିଆ

ହସ୍ତିନୀ ସ୍ତିରୀର ଦେହ ବାସେ ମଇଁଷିଆ ।

ପଦ୍ମିନୀ ସ୍ତିରୀର ଚାଲି ହଂସଚାଲି ପ୍ରାୟେ

ଚିତ୍ରିଣୀ ସ୍ତିରୀର ଚାଲି ଗଜଗତି କିଏ ।

ଶଙ୍ଖିନୀ ସ୍ତିରୀର ଶୁଭେ ଚାଲି ଦମ ଦମ

ହସ୍ତିନୀ ସ୍ତିରୀର ଚାଲି ଫୁଟେ ଗଣ୍ଠିସମ ।

ପଦ୍ମିନୀ ସ୍ତିରୀର କ୍ରୋଧ କ୍ଷଣେ ହୋଏ ଶାନ୍ତି

ଚିତ୍ରିଣୀ ସ୍ତିରୀର କ୍ରୋଧ ଘଡ଼ିକେ ଯାଆନ୍ତି ।

ଶଙ୍ଖିନୀ ସ୍ତିରୀର କ୍ରୋଧ ପନ୍ଦର ଯେ ଦିନେ

ସକେଇ ହୋଇ କାନ୍ଦଇ ବସିଣ ଗୁମାନେ ।

ହସ୍ତିନୀ ସ୍ତିରୀର କ୍ରୋଧ ସପ୍ତଦଶ ଦିନ

ଶାନ୍ତି କରିବାକୁ କେହି ନୁହନ୍ତି ଭାଜନ ।

ପଦ୍ମିନୀ ସ୍ତିରୀ କହିବ ଟେକି ଯେବେ ମୁଖ

ପିକଭାଷିଲା ପରାୟେ ଶୁଭିବ ତା ବାକ୍ୟ ।

ଦର୍ପଣ ପ୍ରାୟ ତା ମୁଖ ସବୁବେଳେ ଦିଶେ

ଅଳ୍ପ ଆହାରେ ତା ଚିତ୍ତ ବଦନ ପ୍ରକାଶେ ।

ସୁଶୀଳ ଶୁଭ୍ରାଙ୍ଗୀ ଜାତ ପଦ୍ମିନୀ ଯେ ରାମା

ସ୍ୱରୂପା ସୁନ୍ଦରୀ ସର୍ବ ସୁଲକ୍ଷଣା ବାମା ।

ଚିତ୍ରିଣୀ ସ୍ତିରୀର ଗୁଣ କହିବା ଗୋ ଶୁଣ

ପ୍ରଭାତୁ ଉଠି ଭଜଇ ନିତ୍ୟ ନାରାୟଣ ।

ବିକଚପଦ୍ମ ବଦନୀ କୁରାଙ୍ଗୀନୟନୀ

ଶରୀର ଗଉରବର୍ଣ୍ଣ ଗଜେନ୍ଦ୍ର ଗାମିନୀ ।

କୃଷ୍ଣଘ୍ରିଂ କୁଟିଳ ଦୃଷ୍ଟି କଠିନ ତା କୂଚ

କି ଅବା ସେ ନାରୀଗୋଟି କାମକେଳି ସଞ୍ଚ ।

ଏମନ୍ତ ଜାଣ ଚିତ୍ରିଣୀ ସ୍ତିରୀର ଲକ୍ଷଣ

ଶଙ୍ଖିନୀ ସ୍ତିରୀର ଗୁଣ କହିବା ଗୋ ଶୁଣ ।

ଦମ ଦମ ଚାଲି ତାର ଉଚ୍ଚବକ୍ଷ ଖଣ୍ତ

ଯୁବା ପୁରୁଷଙ୍କୁ ଦେଖି ହସେ ପରଚଣ୍ତ ।

ଉତ୍ତମ ପୀରତିକୁ ସେ ବହୁ ପ୍ରେମେ ଘେନେ

ହୃଷ୍ଟ ହୁଏ ବେନି ପୟୋଧର ମରଦନେ ।

ରତିରସ ଅଳପକେ ହେଲେ ଜାଣ ଊଣା

ସେ ଦିନ ଘାଣ୍ଟି ହୁଅଇ ମନ କରି ଘୃଣା ।

ହସ୍ତିନୀ ସ୍ତିରୀର ଗୁଣ କହିବା ଗୋ ପୁଣି

କାଳ ପ୍ରାୟ ଚାଲିବାର ଗତି ଠିଆ ଠାଣି ।

ବଚନ ସେ କହୁଥିଲେ କଳିପ୍ରାୟ ଶୁଭେ

ବକ୍ର ଚାହାଣିରେ ଯୁହା ପୁରୁଷଙ୍କୁ ଭାବେ ।

ପିଙ୍ଗଳ ଲୋମ ତା କେଶ ଦେହେ ଦିଶେବାରି

ଦୀର୍ଘ ପୁରୁଷକୁ ଦେଖି ହୁଏ କାମେ ଘାରି ।

ଗଉରକେଶୀ ପୃଥୁଳକଟି ଅଟେ ଭାର

ବହୁତ ଭୋଜନେ ଶାନ୍ତ ମନ ହୁଏ ତାର ।

ପୃଥୁଳ କପାଳ ଉଚ୍ଚ ବିକୃତ ତା ବାଣୀ

ଶୁଣ ନାୟିକାଏ କହନ୍ତି ଯେ ଚକ୍ରପାଣି ।

ଯେବଣ ତିଥିରେ ବଶ ହୁଏ ଯେଉଁ ନାରୀ

ତାହା କହୁଅଛି ଶୁଣ ତୁମ୍ଭେ ହେତୁକରି ।

ଦ୍ୱିତୀୟା ଯେ ଚତୁର୍ଦ୍ଦଶୀ ଚତୁର୍ଥୀ ପଞ୍ଚମୀ

ଏ ଚାରି ତିଥିରେ ବଶ ହୁଅନ୍ତି ପଦ୍ମିନୀ ।

ଷଷ୍ଠୀ ଦ୍ୱାଦଶୀ ଅଷ୍ଟମୀ ଏହୁ ତିନି ତିଥି

ଚିତ୍ରିଣୀ ସ୍ତିରୀଏ କାମେ ବିହ୍ୱଳ ହୁଅନ୍ତି ।

ଏକାଦଶୀ ତ୍ରୟୋଦଶୀ ପ୍ରତିପ ସପ୍ତମୀ

କାମଶରେ ବିହ୍ୱଳିତ ହୁଅନ୍ତି ଶଙ୍ଖିନୀ ।

ଚତୁର୍ଦ୍ଦଶୀ ଅମାବାସ୍ୟା ଆବର ପୌର୍ଣ୍ଣମୀ

ହସ୍ତିନୀ ସ୍ତିରୀଙ୍କ ବଶ କରିବେ ଯେ କାମୀ ।

ଯେଉଁ ଦିନ ଯେତେ କାଳ ଧରେ ଶଶଧର

ତାହା କହୁଅଛୁଁ ଶୁଣ ଆଗୋ ରାମାବର ।

ପ୍ରତିପରେ ଏକକଳା ଉଦେ ହୁଏ ଶଶୀ

ବୃଦ୍ଧ ଅଙ୍ଗୁଳିରେ ରହି ଭୋଗକରେ ନିଶି ।

ଦ୍ୱିତୀୟା ଦିନ ତହିଁରୁ ଯାଇ ପାଦେ ବସେ

ଦୁଇଗୋଟି କଳା ରହି ଚନ୍ଦ୍ରମା ପ୍ରକାଶେ ।

ତୃତୀୟା ଦିନ ସେ ପୁଣି ତିନିକଳା ଘେନି

ଜଘନେ ଉଦୟ ହୁଏ ଶୁଣ ଗୋ କାମିନୀ ।

ଚତୁର୍ଥୀ ତିଥିରେ ଚନ୍ଦ୍ର ଚାରିକଳା ବହି

ସେ ରାତି ପୁହାଇ ଜାନୁ ଯୁଗଳରେ ରହି ।

ପଞ୍ଚମୀ ତିଥିରେ ଶଶୀ ପାଞ୍ଚ କଳାଧରି

କୁକ୍ଷରେ ରହି ପୁହାଏ ସେ ଦିନ ଶର୍ବରୀ ।

ଷଷ୍ଠୀ ତିଥିରେ ସେ ଷଷ୍ଠକଳା ବହି ଉଦେ

ନାଭିଦେଶଏ ବିଜେ କରେ ତହୁଁ ଯାଏ ହୃଦେ ।

ସପ୍ତମୀ ତିଥିଲେ ସାତକଳା ବହି ରହେ

ଅଷ୍ଟମୀ ତିଥିରେ ଆଠକଳାକୁ ଯେ ବହେ ।

ନିଶିଯାକ ରହିଥାଏ ନାରୀର ଉଦରେ

ନବମୀ ତିଥିରେ ଶଶୀ ନବକଳା ଧରେ ।

କଣ୍ଠରେ କରଇ ବାସ ରଜନୀ ଦିବସ

ଦଶମୀ ତିଥିରେ ଶଶୀ ବହେ କଳା ଦଶ ।

କପାଳେ ସେ ଦିନରାତି ରହି ତହିଁ ଯାଏ

ଏକାଦଶୀରେ ଏଗାର କଳାରେ ଉଦୟେ ।

ଅଧରେ ରହଇ ଶଶୀ ସେ ଦିନ ଶର୍ବରୀ

ଦ୍ୱାଦଶୀରେ ନେତ୍ରେ ରହେ ବାରକଳା ଧରି ।

ତ୍ରୟୋଦଶୀରେ ତେରକଳା ପ୍ରକାଶଇ

ରଜନୀ ଦିବସ ବେନି କର୍ଣ୍ଣରେ ରହଇ ।

ଚତୁର୍ଦ୍ଦଶୀରେ ଚଉଦ କଳା ଘେନି ଉଦେ

ରଜନୀ ଦିବସ ରହିଥାଏ ଓଷ୍ଠଦ୍ୱନ୍ଦେ ।

ଷୋଳ କଳାଯାକ ଧରି ରୋହିଣୀର କାନ୍ତ

ପୂର୍ଣ୍ଣମୀ ଦିନ ମସ୍ତକପରେ କରେ ସ୍ଥିତ ।

ଶୁଣ ସଖୀଗଣେ କହୁଛନ୍ତି ନାରାୟଣ

କୃଷ୍ଣପକ୍ଷ କଥା ଏବେ ପ୍ରତ୍ୟକ୍ଷରେ ଶୁଣ ।

ପ୍ରତିପଦ କୃଷ୍ଣପକ୍ଷେ ରୋହିଣୀର ସାଇଁ

ପନ୍ଦରକଳା ଘେନିଣ ଲଲାଟେ ରହଇ ।

ଦ୍ୱିତୀୟା ଦିବସେ ପୁଣି ଚୌଦକଳା ଧରି

ଲଲାଟେ ସ୍ଥାନରୁ ଖସି ନେତ୍ରେ ବାସକରି ।

ତୃତୀୟାଦିନ ଚନ୍ଦ୍ର ଯେ ତେରକଳା ଧରି

ଅଧରରେ କରେ ବାସ ତହୁଁ ବିଜେ କରି ।

ଚତୁର୍ଥୀ ତିଥିରେ ପୁଣି ବାର କଳା ଧରି

ଖସି ରହେ ଶଶୀ ଗଳା ମଧ୍ୟେ ବାସକରି ।

ପଞ୍ଚମୀ ତିଥିରେ ଏକାଦଶ କଳା ଯାଏ

କାଖରେ ବାସ କରନ୍ତି ଅତ୍ରିର ତନୟେ ।

ଷଷ୍ଠୀ ରଜନୀରେ ଦଶ ଗୋଟି କଳା ଧରି

ପ୍ରବେଶ ହୋଇଣ ଚନ୍ଦ୍ର ହୃଦେ ବିଜେକରି ।

ସପ୍ତମୀ ତିଥିରେ ପୁଣି ଧରି ନବକଳା

ରୁହନ୍ତି ନାଭିରେ ଆସି ଅନୁସୂୟା ବଳା ।

ଅଷ୍ଟମୀ ଦିନରେ ଅଷ୍ଟ କଳାରେ ଯେ ଶଶୀ

କଟୀରେ ବାସ କରନ୍ତି ଆସି ସେହି ନିଶି ।

ଦିନକୁ ଦିନ ସେ କ୍ଷୀଣ ହ୍ୱନ୍ତି ଚନ୍ଦ୍ର ହୃଦେ

କଳାଏ କଳାଏ ଛାଡ଼ି ଆସେ ହୋଇ ଉଦେ ।

ନବମୀ ତିଥିରେ ପୁଣି ସାତ କଳା ଧରି

ଯୁବତୀ ନଦୀ ବନ୍ଧରେ ରହେ ବାସ କରି ।

ଦଶମୀ ନିଶାକାଳରେ ଧରେ ଷଡ଼କଳା

ବସନ୍ତି ଯତନେ ଯାଇ ଅକ୍ରି ଋଷିବଳା ।

ଆବର ଏକାଦଶୀରେ ପଞ୍ଚକଳା ରହି

କରଇ ଜାନୁରେ ବାସ ରୋହିଣୀର ସାଇଁ ।

ଦ୍ୱାଦଶୀ ଦିନରେ ପୁଣି ଚାରିକଳା ଧରି

ରହନ୍ତି ସେ ଶଶଧର ଗୁଳ୍‌ଫେ ବାସକରି ।

ଆବର ତ୍ରୟୋଦଶୀରେ ଘେନି ତିନି କଳା

ପାଦରେ ବାସ କରନ୍ତି ଅନୁସୂୟା ବଳା ।

ଚତୁର୍ଦ୍ଦଶୀରେ ପୁଣି ସେ ରୋହିଣୀର ସାଇଁ

ରହେ ବେନି କଳା ଘେନି ଅଙ୍ଗୁଳିରେ ଯାଇଁ ।

ଅମାବାସ୍ୟାରେ ଚନ୍ଦ୍ରମା କଳେ ଏକ ଘେନି

ବୃଦ୍ଧ ଅଙ୍ଗୁଳି ଉପରେ ରହେ ଟେକି ଧ୍ୱନି ।

ବାମେ ଶୁକ୍ଳପକ୍ଷେ ଦକ୍ଷିଣରେ କୃଷ୍ଣପକ୍ଷେ

ଏହି ରୂପେ ଆତଯାତ ହ୍ୱନ୍ତି ଚନ୍ଦ୍ର ସୁଖେ ।

ଯାବତ ଦେହରେ ପୁଣ ଏହିରୂପେ ଶଶୀ

କ୍ଷୟ ବୃଦ୍ଧି ହୋଇଥାନ୍ତି ସୁଖେ ବାରମାସୀ ।

ଶୁଣ ଶୁଣ ଗୋ ନାୟିକା କହନ୍ତି ନୃସିଂହ

କହିଲେ ନ ସରେ ଚନ୍ଦ୍ର କଥା ପରସଙ୍ଗ ।

ସ୍ତୋକ ପୁରାଣେ ତୁମ୍ଭଙ୍କୁ କହିଲୁ ଯେ ଜାଣ

ଏହା ଶୁଣି ହସ ହସ ହେଲେ ସଖୀଗଣ ।

ବୋଇଲେ ଏତେକ କଥା ତ ଜାଣିବ କେ ସ୍ତିରୀ

ସୁପରୁଷ ବିନା ଏହା ନ ପାରେ କେ କରି ।

ଭୋ ପ୍ରଭୁ ଆମ୍ଭେ ତୁମ୍ଭର ପରିଚାରୀ ଯେଣୁ

ଶ୍ରୀମୁଖୁ ଶୁଣିଲୁ ଆମ୍ଭେ କଥା ଏକ ତେଣୁ ।

ଏ ରୂପେ ବୋଲି ଚୌଷଠି ସହସ୍ର ସୁନ୍ଦରୀ

ବୋଇଲେ ଏ ବିଦ୍ୟା ଆମ୍ଭେ ଜାଣିବୁ କିପରି ।

ଭୁଞ୍ଜିଲେ ସିନା ହେ ସ୍ୱାମୀ ହୃଦୁଁ ଯାଏ ଭୋଗ

ଶୋଇଲେ ସିନା ହେ ସ୍ୱାମୀ ଜାଣେ ନିଦ୍ରାସୁଖ ।

ଖାଇଲେ ସିନା ହେ ସ୍ୱାମୀ ସ୍ୱାଦୁ ବୋଲି ଜାଣି

ପାନକଲେ ତୃଷା ସିନା ହୃଦୁଁ ଯାଏ ପୁଣି ।

ନୟନେ ଦେଖିବା କଥା ଅଟେ ସିନା ସତ

ନଥାଇ ଲୋଡ଼ିଲେ କେହି ଦେବ ଆଣି ବିତ୍ତ ।

କଳହ ସ୍ଥାନେ ଯେବେ ନ ଥିବ ଜଣେ ସାକ୍ଷୀ

କହିବ ତହିଁର ଯେଉଁ ନ୍ୟାୟ କଥା ଯୋଖି ।

ଆମ୍ଭେ ତ ସ୍ତିରୀ ଅବଳା ଏକେ ସୁକୁମାରୀ

ସାତକୁ ସତର କହୁ ମିଛେ ଫାନ୍ଦିକରି ।

ଦୁଇଶତ ଦେଖିଲେ ନଅଶତ କହୁଁ

ତୁମ୍ଭଙ୍କୁ କିସ କହିବୁଁ ବଳି ମହାବାହୁ ।

ବୁଝିଲେ ପ୍ରଭୁଙ୍କୁ ଜନ୍ମକାଳୁ ଅଛୁଁ ସେବି

କି ରୂପେ ଚନ୍ଦ୍ରକଳା ନ ଜାଣୁ ଆମ୍ଭେ ଭାବି ।

ଆମ୍ଭର ବେଶକୁ ପୁଣି ତୁମ୍ଭେ ଅଟ ଇନ୍ଦୁ

କନ୍ଦର୍ପ ସାୟକ କାଟିପକା ଆମ୍ଭ ହୃଦୁଁ ।

ଏହା ଶୁଣ ମହାପ୍ରଭୁ ହେଲେ ହସ ହସ

ଆତ୍ମା ଚାଲିବା ମାର୍ଗକୁ ଦେଖନ୍ତି ଲକ୍ଷ୍ମୀଶ ।

ଆତ୍ମା ଚାଳିବା ସୂତ୍ରକୁ ପାରନ୍ତି ଯେ ଚିହ୍ନି

ଚନ୍ଦ୍ର ତୁଲ୍ୟ ଅଟେ ସେହୁ ସଂସାରରେ ଜ୍ଞାନୀ ।

ଆତ୍ମା ଚିଲାବ ସନ୍ଧିକୁ ଜାଣନ୍ତି ଯେ ଜନେ

ତାହାଙ୍କୁ ଚନ୍ଦ୍ର ସମାନେ ଲେଖନ୍ତି ସୁଜନେ ।

ଦେଢ ଅଢାଇ ହୋଇଣ ଗଲେ ଆତ୍ମା ଘଟେ

ଏକୋଇସସ୍ର ଛଅଶତ ବଳି ଅଟେ ।

ସବୁରି ହୃଦରେ ଆତ୍ମା ଚାଲେ ମନସୁଖେ

ଏତେକ ପୁଚ୍ଛି କେହୁ ନ ପାରେ ଗୁରୁମୁଖେ ।

ସମସ୍ତ ଆତ୍ମା ହୃଦରେ ଚନ୍ଦ୍ର ଉଦେ ହ୍ୱନ୍ତି

ଶୁଣ ଆଗୋ ନାୟିକାଏ କହନ୍ତି ଶ୍ରୀପତି ।

ଷୋଳ ଚନ୍ଦ୍ରସ୍ଥିତି ହୁଏ ଯେଉଁଦିନ ଯହିଁ

ଯେ ସ୍ଥାନମାନ ଯେ ଦେଖାଅନ୍ତି ଭାବଗ୍ରାହୀ ।

ଶ୍ରୀନୃସିଂହ ସ୍ୱାମୀ ସବୁ ସ୍ତିରୀ ହୃଦସ୍ଥାନ

ଷୋଳକଳା ଚନ୍ଦ୍ର ଦେଖାଅନ୍ତି ଆତ୍ମଜ୍ଞାନେ ।

କପୋଳ ଶିର ଅଧିର କଣ୍ଠ ନେତ୍ର କର୍ଣ୍ଣ

ଉର ନାଭି ସ୍ଥାନ ଆଉ ଉରଜ ଜଘନ ।

ଅଙ୍ଗୁଳି ଜାନୁ ଯେ ଗୁଳ୍‌ଫ ପାଦଅଗ୍ରେ ଶଶୀ

କ୍ଷୟ ବୃଦ୍ଧି ହୋଇଣ ସେ ଚାଲେ ହୃଦୁ ଖସି ।

ଶ୍ରୀଆତ୍ମଜ୍ଞାନ ଯେ ଚନ୍ଦ୍ର ଚାଳକଟି ସେହି

ଏହି ରୂପେ ମହାପ୍ରଭୁ ନାୟିକାଙ୍କୁ କହି ।

କରନ୍ତି ଆତ୍ମର ସୂତ୍ର କହି ଜ୍ଞାନ ଉଦେ

ଚିହ୍ନିଣ ସ୍ତିରୀ ସେବଲେ ପ୍ରଭୁ ପଦ୍ମପାଦେ ।

ଯାହାକୁ ଗୋବିନ୍ଦଙ୍କର ଦୟା ହୋଏ ଜାଣ

ସେ ଲୋକଟି ଚିହ୍ନି ଏକା ପାରେ ବ୍ରହ୍ମଜ୍ଞାନ ।

ଏହି ରୂପେ ଜ୍ଞାନ କହୁଁ ହେଲା ନିଶି ଶେଷ

ସେ ପାଦେ ଶରଣ ବିପ୍ର ପୀତାମ୍ୱର ଦାସ ।

ପାହାନ୍ତି ଅବକାସରେ ଫିଟିଲା କବାଟ

ଯେ ଯାହାର ମତେ ଗଲେ ଓହ୍ଲାଇଣ ଖଟ ।

ଦେବତାଙ୍କ ଆଳୟରେ ବାଜେ ଯୋଡ଼ାଶଙ୍ଖ

ସୁବାସ ଜଳରେ ଲକ୍ଷ୍ମୀ ପଖାଳି ଶ୍ରୀମୁଖ ।

ନାନଦି ଦେବ ଅର୍ଚ୍ଚନ ସାରି କମଳିନୀ

ଆସନେ ଯାଇ ବସିଲେ ପ୍ରଭୁ ଚକ୍ରପାଣି ।

ସାନ୍ଧ୍ୟ କରମ ସାରିଲେ ଯହୁଁ ବେନିଭାଇ

ଷାଠିଏ ସହସ୍ର କନ୍ୟା କଲେ ସେବା ଯାଇଁ ।

ପୁତ୍ରବଧୂକୁ ଘେନିଣ ଭଗବତୀ ରାଣୀ

ସୁବେଶ କରାଇ ରୋଷ ମନ୍ଦିରେ ପ୍ରମାଣି ।

କହନ୍ତି ଯେ ଲୋକବର୍ଗ ଚର୍ଚ୍ଚା ଅନୁକ୍ଷଣେ

କୃଷ୍ଣବଲ୍ଲଭ ବସିଲେ ଯାଇଁ ସିଂହାସନେ ।

ସୁଜାଣ ମନ୍ତ୍ରୀବର ଯେ କର୍ଣ୍ଣାଟେଶ ରାଜା

ଗରୁଡ଼ ସହିତେ କଲେ ଶ୍ରୀ ନୃସିଂହ ପୂଜା ।

ସଭାରେ ବସି ସର୍ବେ ଯେ ଯାହା ମନେ ପାଞ୍ଚି

ଦାରୁଣ ଦୈତ୍ୟ ଏ କଥା ହ୍ୱନ୍ତି ପୁଚ୍ଛାପୁଚ୍ଛି ।

ବୋଲନ୍ତି ଧନ୍ୟ ଅଟଇ ଶେଷଦେବ ଯୁଦ୍ଧ

ତ୍ରୈଲୋକ୍ୟରେ ଅଗୋଚର ଯାର ମୃତ୍ୟୁଭେଦ ।

ତେତେ ହେଁ ଦୈତ୍ୟକୁ ଜାଣ ତିଳପ୍ରାୟ କରି

ନାସା ବିବରେ ପଶିଣ ଦେଲେ ତାକୁ ମାରି ।

ସବୁରି ମୁଖରେ ପ୍ରଭୁ ଶୁଣିଣ ପ୍ରଶଂସା

ବୋଇଲେ ଏ ତୁମ୍ଭ ଘେନି ଆମ୍ଭର ଭରସା ।

କର୍ଣ୍ଣାଟେଶ୍ୱର ରାଜା ସୁଜାଣ ମନ୍ତ୍ରୀ ଲାଗି

ବଦରିକା ଲୋକେ ମୋର ହୋଇଛନ୍ତି ଭୋଗି ।

ବିନତା ସୁତର କଥା ବହିବି କି ମୁହିଁ

ମହାଘୋର ଯୁଦ୍ଧରେ ଏ ମୋତେ ଥାଏ ବହି ।

କେତେ ହେଁ କ କ୍ଳେଶ ସହି ମୋତେ ଅଛି ସେବି

ତୁମ୍ଭ ଗୁଣ ସେ ଦିନର ପାରେ କେହୁ ଭାବି ।

ଦେଖିଣ ସେ ଭକ୍ତମାନେ ମନେ ହେଲେ ହୃଷ୍ଟ

ବୋଇଲେ ପ୍ରଭୁଙ୍କୁ ଘେନି ଆମ୍ଭର ଏ ଆଣ୍ଟ ।

କର୍ଣ୍ଣାଟେଶ ପ୍ରାୟ ଲକ୍ଷେ ତାର୍କ୍ଷ୍ୟ ପ୍ରାୟ ଷାଠି

ସୁଜାଣ ମନ୍ତ୍ରୀର ପ୍ରାୟ ହେଉ କୋଟି କୋଟି ।

ଶେଷଦେବ ପରାୟେକ ରଣେ ଜଣେ ଥିଲେ

ଦାରୁଣ ପ୍ରାୟ କି ହେବ ଲକ୍ଷେ ଯୁଦ୍ଧ କଲେ ।

ନୃସିଂହ ପ୍ରଭୁଙ୍କ କୃପାବଶୁଁ ଆମ୍ଭେ ପୁଣ

ମୁରକୁ ଚିତ୍ତେ ଆଉ ନ ଡରୁ କେବେ ଜାଣ ।

ସେ କଥା ଶୁଣିଣ ପ୍ରଭୁ ମନେ ହୋଇ ତୁନି

ଦକ୍ଷିଣ ମୁଖ କରିଣ ଚାହିଁଲେ ତକ୍ଷଣି ।

ହୃଦୟରେ ତାପ ବହି ଦନ୍ତପନ୍ତି ଭିଡ଼ି

ମୂର ଦଇତ୍ୟ ନଗ୍ରକୁ ଚାହିଁ ନିଶମୋଡ଼ି ।

ବୋଇଲେ ଆରେ ରେ ମୁର ପୂରିଲା ତୋ କାଳ

ନାତି ଆଡୁ ବଂଶ କ୍ଷୟ କଲୁରେ ଚଣ୍ଡାଳ ।

ତୋର ମୃତ୍ୟୁ ଆଉ ସପ୍ତଦଶ ଦିନ ଅଛି

ଏତେକ ଦିନ ସୁଖେ ତୁ ରହିଥାରେ ବଞ୍ଚି ।

ଶୁଣ ବାବୁ ଗେ ନାରଦ କହନ୍ତି ବିଧାତା

ଏଠାରେ ପୂର୍ଣ୍ଣ ଚତୁର୍ଥ ରତ୍ନାକର କଥା ।

ପ୍ରଥମୁଁ ପୂର୍ଣ୍ଣ ଚତୁର୍ଥ ରତ୍ନାକର ଯାଏ

ପଞ୍ଚମ ରତ୍ନାକରକୁ କରନ୍ତୁ ଏବେ ଲୟେ ।

ପଞ୍ଚମ ଖଣ୍ଡେ ଆସିବ ଦୈତ୍ୟ ଯୁଦ୍ଧକରି

ନୃସିଂହ ଶତ୍ରୁ ହୋଇଣ ନିଶ୍ଚେଁ ଯିବ ମରି ।

ଶତ୍ରୁ ହେବା ଲୋକଟିକୁ ଅଳ୍ପେ ମହାପ୍ରଭୁ

ନିବାରଣ କରନ୍ତି ଯେ ତାର ବଂଶସବୁ ।

ଭକତବତ୍ସଳ ହରି ଅଟନ୍ତିଟି ଜାଣ

ଭକତ ଶତ୍ରୁକୁ ପ୍ରଭୁ କରନ୍ତି ନିଧନ ।

ଯେଣୁ ନ ଡରନ୍ତି ଶୁଣି ସେ କଥାର ରସ

ଭକ୍ତଙ୍କର ଧନୁଶର ପ୍ରଭୁ ଜଗଦୀଶ ।

ସେ ଧନୁ ନାରାଚ ନାମ ଶୁଣ ହୋ ନାରଦେ

ଭକ୍ତଶର ଯୁଦ୍ଧ କହୁଅଛି ପଦେ ପଦେ ।

ଯେତେକ ନାମ ଧନୁରେ ବିନ୍ଧି ଯୋଚି ଧର

ସେହି ଶର ନାମମାନ ଶୁଣ ହେତୁ କରି ।

ଶ୍ରୀଜଗନ୍ନାଥ ନାମକୁ କରି ଅନୁକୂଳ

ହେବ ଶତ୍ରୁକ୍ଷୟ ରଖିବେ ସେ ଆଦିମୂଳ ।

ଶ୍ରୀମଧୁସୂଦନ ନାମ କରି ପାଶୁପତ

ଶତ୍ରୁକୁ ଜୟ କରିଣ ନାଶିବ ତା ଗୋତ୍ର ।

ମନକୁ ଧନୁ କରିଣ ଆଗ ହୋଇଥିବ

ଗୋବିନ୍ଦ କୀର୍ତ୍ତନ କରି ସଳଖି ବିନ୍ଧିବ ।

ଶତ୍ରୁକୁ ଜୟ କରିଣ ଆସିବ ତକ୍ଷଣେ

ଏହିକଥା ଅଟେ ଧ୍ରୁବ ଶୁଣ ସାଧୁଜନେ ।

ଶ୍ରୀନୃସିଂହ ନାମଗୋଟି ମନେ ସ୍ମରି ରଖ

କରିଥିବା ଫରି ଖଣ୍ଡା ହରି ପଦ୍ମମୁଖ ।

ଅଭୟ ପଞ୍ଜର ବାନା ଅଙ୍ଗେ ଥିବ ଢାଙ୍କି

ମଥାକୁ ଟୋପର ଜାଣ ଅନନ୍ତ ପଦ୍ମାକ୍ଷି ।

ଗୁରୁଜନର ବିଷ୍ଣୁ ପଞ୍ଜର ଆଶ୍ରେ କରି

ଶ୍ରୀମହାବାହୁ ନଳିକୁ କରେ ଥିବ ଧରି ।

ଶ୍ରୀଚକ୍ରଧର ଚୋଟକୁ ପକାଇବେ ଆଣ୍ଟେ

ଶ୍ରୀନାରାୟଣ ଖୋଜାକୁ ପକା ନଳି ବାଟେ ।

ଶ୍ରୀବାସୁଦେବ ନାମ ରଞ୍ଜକ କରି ଠୁଳ

କରିବ ଶ୍ରୀପୀତବାସ ବଳିତା ଅନଳ ।

ଦୈତ୍ୟାରି ଖଣାରେ ଲକ୍ଷ୍ୟ ସଳଖି ବିନ୍ଧିବ

ନାଶ ଯିବେ ଶତ୍ରୁମାନେ ଏ କଥାଟି ଧ୍ରୁବ ।

ଶ୍ରୀରଘୁନାଥ ନାମକୁ କରି ବ୍ରହ୍ମଶର

ଏ ଶର ଘାତରେ ଶତ୍ରୁ ମରିବେ ତତ୍ପର ।

କେଶବ ନାମ କର ଗିରିଜା ଶର ବାଡ଼ି

ଭକ୍ଷୁ ଦଣ୍ଡ ପ୍ରାୟେ ଦିଏ ଶତ୍ରୁଙ୍କୁ ଏ ପୋଡ଼ି ।

ଅନନ୍ତ ନାମ ଗୋଟିକୁ କରେ ଖଣ୍ଡ ଖଣ୍ଡ

ମାଇଲେ ପୁତ୍ରଙ୍କୁ ଛିଣ୍ଡି ପଡ଼ିଯିବ ମୁଣ୍ଡ ।

ଶ୍ରୀଚକ୍ରପାଣି ନାମକୁ କରିଥିବ ଗୁଳି

ଶ୍ରୀନୃସିଂହ ନାମ ଚିନ୍ତି ଫୁଟାଇବ ନଳୀ ।

ଶ୍ରୀ ନିରାକାର କାଣ୍ଡକୁ ଦେଖି ବେନି ନେତ୍ରେ

ତ୍ରୈଲୋକ୍ୟ କର୍ତ୍ତା ଢାଲକୁ ପକାଇବ ଗାତ୍ରେ ।

ଶ୍ରୀଧର ନାମଗୋଟିକୁ ଗନ୍ତାଇ ଯା କରି

କଟାରୀ କରିଣ ଥିବ ମୁରାରି ସୁମରି

ଶ୍ରୀପୁରୁଷୋତ୍ତମ ନାମ କରି ଛେଲ କୁନ୍ତ ।

ଭୁଷିଲେ ଏତେକ ଶରେ ହୋଅ ଶତ୍ରୁ ହତ ।

ପରମେଶ୍ୱର ନାମକୁ କରି ବଡ଼ ଦଣ୍ଡ

ପେଶି ଦେଲା ମାତ୍ରେ ଶତ୍ରୁ ହେବ ଖଣ୍ଡ ଖଣ୍ଡ ।

ଶ୍ରୀକୃଷ୍ଣ ନାମ ଗୋଟିକୁ କରି ବ୍ରହ୍ମଶକ୍ତି

ଶତ୍ରୁର ବୁକୁ ଯେ ପୋଡ଼ୁଥିବ ଦିବାରାତି ।

ଏହି ରୂପେ ବିଷ୍ଣୁଶର ଥିବ ଯା ହୃଦଗତେ

ତାହାକୁ ଶତ୍ରୁ ଲାଗି କି କରିପାରେ ନିତ୍ୟେ ।

ଏଣୁ ଭକ୍ତେ ଯେ ଶତ୍ରୁକୁ ଚିତ୍ତେ ନ ଡରନ୍ତି

ଶୁଣ ହେ ନାରଦ ବାବୁ ବିଧାତା କହନ୍ତି ।

ଚତୁର୍ଥ ରତ୍ନାକର ଯେ ଆସି ହେଲା ପୂର୍ଣ୍ଣ

ପଞ୍ଚମ ଖଣ୍ଡକୁ ଏବେ କରିବି ଲିଖନ ।

ବିପ୍ର ପୀତାମ୍ୱର ଦାସ ଅଜ୍ଞ ବାଳମତି

ଶ୍ରୀହରି ରାମକୃଷ୍ଣ ନ ପାରେ ଭଜି ନିତି ।

ହରି ବୋଇଲେକ ମୋତେ ଗିରି ବସେ ମାଡ଼ି

ରାମ ବୋଇଲେ ଉଠିଣ ପଳାଏ ମୁଁ ଛାଡ଼ି ।

ଶ୍ରୀକୃଷ୍ଣ ବୋଇଲେ ମୁହିଁ କର୍ଣ୍ଣ ଦିଏ ତୁଳା

କେ ଅବା ପଢ଼ିଲେ ନାମ ହୁଏ ମୁଁ ବାତୁଳା ।

ଏଣେ ପଣ୍ଡିତ ଜଣେ ମୁଁ କଳିଯୁଗେ ଅଛି

ଏଥକୁ ସୁଜନେ ମୋ ନ ଘେନ ଦୋଷ କିଛି ।

ପଞ୍ଚମ ସାଗର ଏବେ କରିବି ଲିଖନ

ଏଥକୁ କୃପା କରିବେ ମୋତେ ସାଧୁଜନ ।

ପ୍ରଭୁ ଜଗନ୍ନାଥ ମୋରେ ଅନୁଗ୍ରହ କର

ଯେପରି ସମ୍ପୂର୍ଣ୍ଣ ହେବ ପଞ୍ଚମ ସାଗର ।

 

ଇତି ଶ୍ରୀ ନୃସିଂହ ପୁରାଣ ଚତୁର୍ଥ ରତ୍ନାକର ସମାପ୍ତ