କୃଷ୍ଣକୁମାରୀ

କୃଷ୍ଣକୁମାରୀ

ନନ୍ଦକିଶୋର ବଳ

 

ମୁଖବନ୍ଧ

Imageଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତି-ଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :-

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?” (ରାଓଙ୍କ ସ୍ମୃତି-ନନ୍ଦକିଶୋର ଗ୍ରନ୍ଥାବଳୀ, ପୃଷ୍ଠା ୧୧୧୮−୧୯)

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା । ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ-

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

ପୁଣି:-

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

 

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’-ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି-କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ । ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’-ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:-

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’-

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନ ଥାଏ । ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନ ଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :-

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।” (ଭାରତର ଭବିଷ୍ୟତ୍ ଭାଷା-ନନ୍ଦକିଶୋର ଗ୍ରନ୍ଥାବଳୀ, ପୃ ୧୦୩୭−୩୮)

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା-ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି ? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

 

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

 

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇ ନ ଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Rennaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ । ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ । ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ । ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନ ଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ । ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪।୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ । ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତନ୍ତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇ ଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

 

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି– “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ– “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ । ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟରପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । *ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

*ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି–ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ । ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ–ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରି ନ ଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା ।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ–

“ହେ ଈଶ୍ୱର, ହର ମୋର ସର୍ବ ଅଧୀନତ,

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା ।”

କୁସୁପୁର

 

 

 

 

ତା ୨୫ । ୪ । ୧୯୫୫

 

 

 

ଶ୍ରୀ ସୂର୍ଯ୍ୟମଣି ଜେନା

 

 

 

 

 

 

 

 

 

 

 

ଉତ୍ସର୍ଗପତ୍ର

ପରମ ସମ୍ମାନାସ୍ପଦ, ପରମୋଦ୍ୟମୀ, ନୀତିକୁଶଳ, କର୍ମବୀର, “ବୀରବାମା” “ଚିତ୍ରୋତ୍ପଳା” ଏବଂ “ଅଳଙ୍କାରବୋଧୋଦୟ”ର ପ୍ରଣେତା, “ସମ୍ୱଲପୁରହିତୈଷିଣୀ”ର ଜନ୍ମଦାତା ଓ ପୋଷଣକର୍ତ୍ତା, ଓଡ଼ିଆ ସାହିତ୍ୟର ପ୍ରଧାନ ଉତ୍ସାହଦାତା ଗୁଣଗ୍ରାହୀ, ପ୍ରଖ୍ୟାତଯଶା ବାମଣ୍ଡାଧିପତି ଶ୍ରୀଯୁକ୍ତ ସାର୍ ବାସୁଦେବ ସୁଢ଼ଳ ଦେବ, କେ.ସି.ଆଇ.ଇ. ମହୋଦୟଙ୍କ ଗୌରବାନ୍ୱିତ ନାମରେ, ବିଗତ ବର୍ଷ କଟକ ଅବସ୍ଥାନ ବେଳେ କବିତା ରଚନା ବିଷୟରେ ଲେଖକ ପ୍ରତି ତାହାଙ୍କ ପ୍ରଦର୍ଶିତ ଉତ୍ସାହରେ ଲେଖକର ଆନ୍ତରିକ ଭକ୍ତି, ସମ୍ମାନ ଓ କୃତଜ୍ଞତାର ନିଦର୍ଶନ−

ସ୍ୱରୂପ ଏହି “କୃଷ୍ଣକୁମାରୀ” ନାମକ କ୍ଷୁଦ୍ର

କବିତାଗ୍ରନ୍ଥ ଉତ୍ସୃଷ୍ଟ ହେଲା ।

୧୧।୭।୧୯୦୧

କଟକ

“କୃଷ୍ଣକୁମାରୀ” ସମ୍ୱନ୍ଧରେ ମନ୍ତବ୍ୟ

‘କୃଷ୍ଣକୁମାରୀ’ର ପ୍ରତ୍ୟେକ ପୃଷ୍ଠା କବିତାପୂର୍ଣ୍ଣ । ସୀତା−ବନବାସ’ରେ କବି ବିୟୋଗାନ୍ତ ବିଷୟରେ ଯେ ସିଦ୍ଧହସ୍ତତା ଦେଖାଇଅଛନ୍ତି, ‘କୃଷ୍ଣକୁମାରୀ’ରେ ମଧ୍ୟ ସେଥିର ପରିଚୟ ଅସୁଲଭ ନୁହେଁ । ‘କୃଷ୍ଣକୁମାରୀ’ ନନ୍ଦକିଶୋରଙ୍କର ପ୍ରତିଷ୍ଠାର ଅନୁପକ୍ଷୁକ୍ତ ହୋଇ ନାହିଁ ।

ଗୁଚଡ଼ା

 

 

 

ଶ୍ରୀ ରାଧାନାଥ ରାୟ

୧୯।୭।୧୯୦୧

 

 

 

 

 

ପ୍ରଥମ ସର୍ଗ

ଅଛି ଆର୍ଯ୍ୟାବର୍ତ୍ତେ            ରାଜସ୍ଥାନ ନାମେ

ଗିରିଟଙ୍କମରୁମୟ ଭୂଖଣ୍ଡ,

ଜନ୍ମଭୂମି−ଅନୁ-            ରୂପ କାୟମନ

ଯେ ଦେଶବାସିର ଉଗ୍ର ପ୍ରଚଣ୍ଡ,

ଅତୀତ ମହତ୍ତ୍ୱ-            ମୁକସାକ୍ଷିରୂପେ

“ଆରାବଲ୍ଲୀ” ଯହିଁ ଟେକିଛି ମଥା,

ଦିଗବ୍ୟାପୀ ମରୁ            ସ୍ମୃତି-ଶ୍ରବଣରେ

କହୁଛି ବିଗତ ଗୌରବକଥା,

ପବିତ୍ର “ପୃଷ୍ଟର”            ସର ଯେଉଁ ଦେଶେ

ପାପି−ପାପରାଶି ପଖାଳି ଶୋହେ,

ସୁଜଳା ସୁଫଳା            କରି ଯେଉଁ ଭୂମି

“ଚିତ୍ତକୀୟା” ନଦୀ ନିରତେ ବହେ,

ଯହିଁ ନିକାଞ୍ଚନେ            “ବିରିସ”−ପୁଳିନେ

ବସି କିଂପୁରୁଷକାମିନୀଗଣ

ଚୌହାନ ରାଠୋର            ଶିଶୋଦୀୟ ଯଶ

ଗାଇ କରୁଥିଲେ ପୀୟୂଷ ପାନ,

ଯେ ଦେଶେ “ବୁନୋସ”            ତଟେ ପୁଷ୍ପବନେ

ଗନ୍ଧର୍ବଲଳନା କରି ଗାୟନ

ନିନାଦିତ କରୁ-            ଥିଲେ “ଆରାବଲ୍ଲୀ”

“ବ୍ୟାଘ୍ରମେରୁ” “ଗ୍ଳାସିୟାର” ଗହନ,

ମୂର୍ତ୍ତିମନ୍ତ କ୍ଷେତ୍ର-            ଧର୍ମ ଅବତଂସ-

ବୀରବୃନ୍ଦ ଯହିଁ କଲେ ଆହବ,

ଅସହାୟା, ହୀନା,            ଅବୀରା ପତିତା

ଦେଖ ସେହି ଭୂମି ଶ୍ମଶାନଶବ !

ଚୌହାନତିଳକ             ବୀର “ପୃଥ୍ୱୀରାଜ”

କରିଥିଲା ଯାହା ଅଙ୍କେ ଧାରଣ,

ନିର୍ଭୀକ ତେଜସ୍ୱୀ            “ରାଜସିଂହ”ଙ୍କର-

ହୋଇଥିଲା ଯାହା ରଣପ୍ରାଙ୍ଗଣ,

ସତୀଶିରୋମଣି            “ପଦ୍ମିନୀ ସୁନ୍ଦରୀ”

ପ୍ରେମିକା “ସଂଯୁକ୍ତା” ବୀରରମଣୀ

ସୁପବିତ୍ର କଲେ            ଯେଉଁ ଦେଶେ ଜନ୍ମି

ସାଧ୍ୱୀ ପତିବ୍ରତାମୁକୁଟମଣି,

ଯେ ଦେଶସାହସ,            ସ୍ୱଦେଶବାତ୍ସଲ୍ୟ

ଆତ୍ମତ୍ୟାଗ, ବୀର୍ଯ୍ୟ, ଅବନୀତଳେ,

ଥିଲା ଅତୁଳନ            ସେ ସର୍ବ ତାହାର

ବିଲୁପ୍ତ ହୋଇଛି କାଳକବଳେ ।

ଯେହ୍ନେ କାୟା ଛାଡ଼ି            ଯାଏ ଆତ୍ମା ଉଡ଼ି

ଅଦୃଶ୍ୟ ବିଦେଶେ ବିଶ୍ୱେ କନ୍ଦାଇ,

ସେ ଦିବ୍ୟ ଗୌରବ            ଏବେ ତେହ୍ନେ ଆହା

ଯାଇଛି ରେ ତାକୁ ଛାଡ଼ି ପଳାଇ !

ଯେ ରାଜସ୍ଥାନର            ବିକ୍ରମ ସାହସ

ଥିଲା ଅପ୍ରତିମ ଏ ଧରାଧାମେ,

ଅମରାବତୀରେ            ନନ୍ଦନ−କାନନ

ସମ ତହିଁ ଦେଶ “ମିବାର” ନାମେ ।

ଶୂର ବୀର ବାପା            ରାଓ କଲେ ଯହିଁ

ଅସଂଖ୍ୟ କ୍ଷତ୍ରିୟବଂଶ ସ୍ଥାପନ

ଅଚଳ ଅଟଳ            ମହୀଧରସମ

ଯେ ଦେଶବାସୀର ଶରୀର ମନ

ସମରପ୍ରାଙ୍ଗଣେ            କେଶରୀ “ସମର”

ପୃଥ୍ୱୀରାଜ ସହ କରିଣ ରଣ

ରଣଚଣ୍ଡୀଙ୍କୁ ଯେ            “ଦୃଷଦ୍ୱତୀ” ତଟେ

ସ୍ୱୀୟରକ୍ତେ କଲେ ଅର୍ଘ୍ୟ ଅର୍ପଣ,

ଯେ ଦେଶେ ଜନମି            “ରାହୁପ “ହାମିର”

ପୂତ କ୍ଷାତ୍ରବ୍ରତ କଲେ ପାଳନ,

ପିତୃସତ୍ୟ ପାଳି            ଚଣ୍ଡତେଜା “ଚଣ୍ଡ

ରାଜସିଂହାସନ କଲେ ବର୍ଜନ ।

ସଂଗ୍ରାମେ ଅଜେୟ            “ସଂଗ୍ରାମ ସିଂହ” ଯେ

ଦେଶ ପାଇଁ କରି ବିଷମ ରଣ,

ଶୁଦ୍ଧତୋୟା ଦୃଷ-            ଦ୍ୱତୀତୀରେ କଲେ

ମାତୃଭୂମିପାଦେ ପ୍ରାଣେ ଅର୍ପଣ

ବୀରା ରାଣୀ “ସଙ୍ଗ”            ମୋଗଲଅଗ୍ରଣୀ

“ବାବର” ସଙ୍ଗତେ କଲେ ସୁରଣ,

ଯାର ସୂନୁ “ରତ୍ନ”            ନିଜେ ମରି ଦାରା−

ବୈରୀ “ସୂର୍ଯ୍ୟମଲ୍ଲେ” କଲେ ନିଧନ,

ସ୍ୱଦେଶପ୍ରେମିକ            ଆତ୍ମତ୍ୟାଗୀ ବୀର

ବିକ୍ରାନ୍ତ ସୁଧୀର ଯାର “ପ୍ରତାପ”

ପ୍ରବଳପ୍ରତାପ            ଦିଲ୍ଲୀସିଂହାସନ

ଯା ପ୍ରତାପେ ବଡ଼ ପାଇଲା ତାପ ।

ସ୍ୱଦେଶପ୍ରେମିକ            ଯେଉଁ ରାଜପୁତେ

ଜୀବନର ମାୟା କରି ବର୍ଜନ,

ଅନ୍ତିମକାଳରେ            ନୀଳାମ୍ୱର ପିନ୍ଧି

ଏକତ୍ର କରିଣ “ବୀରା” ଗ୍ରହଣ*

ଅଦମ୍ୟ ବିକ୍ରମେ            ଯବନସେନାନୀ

ସହ ଘୋରରଣମଦରେ ମାତି

ବୀରଚୂଡ଼ାମଣି            ଯେଉଁ ରାଜପୁତ

ସମ୍ମୁଖସମରେ ପାତିଲେ ଛାତି,

ତିଳେ ନ ହଟିଣ            କୋଟି କୋଟି ଶିର

ଆହବହୋମରେ ଆହୁତି ଦେଲେ,

ଅସଂଖ୍ୟ ବଇରୀ            ମାରି ମାରି ନିଜେ

ଅମର ଆଖ୍ୟାରେ ମଣ୍ତିତ ହେଲେ ।

*“ବୀରା”- ବିଦାୟସୂଚକ ତାମ୍ୱୁଳ ।

 

ଯେଉଁ ରାଜପୁତ            ବୀରାଙ୍ଗନାଗଣ

ଦେଖି ପତିପୁତ୍ର−ଅନ୍ତିମ−କାଳ

ଅସଂଖ୍ୟ ଅନଳ            କୁଣ୍ଡ ଜଳାଇଲେ

ନିରେଖି ସଭୟେ କମ୍ପିଲା କାଳ ।

ହୂହୂ ଜଳୁଥିଲା             ଘୋର କୃଷ୍ଣଜିହ୍ୱା

କରାଳ ବଦନ କରି ବ୍ୟାଦନ

ବାଜୁଥିଲା ବୀର            ବାଜା ରଣରଙ୍ଗେ

ଗୀତ ହେଉଥିଲା ସଂଗ୍ରାମ−ଗାନ,

ପ୍ରାଣପ୍ରିୟତମା            ତରୁଣୀ କନ୍ୟାକୁ

କହୁଥିଲେ ମାତା ଦେଇ ଚୁମ୍ୱନ,

“ପ୍ରବେଶ ବହ୍ନିରେ            ଏଡ଼ା ମ୍ଳେଚ୍ଛହସ୍ତ

ନିରେଖୁ ବିସ୍ମୟେ ମ୍ଳେଚ୍ଛନୟନ ।

ବାନ୍ଧିଅଛି ମ୍ଳେଚ୍ଛ            ମନେ ବଡ଼ ଆଣ୍ଟ

ଗଢ଼ିଛି ଆକାଶେ କନକଗଡ଼,

ଜିଣି ରଣେ ତୋର            ଚୁମ୍ୱିବ ଚିବୁକ

ରଖିଅଛି ମନେ ଭରସା ବଡ଼,

ଗଲେ ପଛେ ଯାଉ            ଏ ଛାର ପରାଣ

ଥାଉ ତୋ ସତୀତ୍ୱପରମଧନ,

ଦେଖି କେତେ ଶକ୍ତି            ମ୍ଳେଚ୍ଛ ଯବନର

ସତୀର ଶ୍ରୀଅଙ୍ଗ କରେ ସ୍ପର୍ଶନ ।”

ଧପ ଧପ ଜଳେ            “ଜହର” ଅନଳ

କରାଳ କବଳ କରି ବ୍ୟାଦାନ,

ବାଜେ ଘନଘୋଷେ            ସମର ବାଜଣା

ଘନେ ଗୀତ ହୁଏ ସଂଗ୍ରାମ−ଗାନ ।

ସରୋଜନୟନା            ଚମ୍ପକବରଣା

ଶତ ଶତ ରାଜପୁତଯୁବତୀ

ଗାଉଥିଲେ ଆହା            ଜହର ସଙ୍ଗୀତ

ପେଷିଣ ସଂଗ୍ରାମେ ତନୟ ପତି ।

“ଜଳ ଜଳ ଅଗ୍ନି            ଦ୍ୱିଗୁଣ ଜଳରେ

ଅବଳାର ଅଙ୍ଗ ଦହନ କର,

ତୋ ଭୀମ ରସନା−            ଠାରୁ ଯବନର

କୁସୁମତଳପ ଭୀଷଣତର ।

ଜଳ ଜଳ ବହ୍ନି            ପ୍ରଳୟ ପ୍ରତାପେ

ପାଉ ଅଭାଗିନୀ ସ୍ଥାନ ତୋ ଅଙ୍କେ,

ଛାରେ ପରିଣତ            ହେଉ ଛାର ଦେହ

ନ ମଜ୍ଜିବ ସତୀ ଘୋର କଳଙ୍କେ ।

ସତୀର ପରମ            ରତନୀ ସତୀତ୍ୱ

ହରାଇଲେ ବାରେ ନ ମିଳେ ଆଉ,

ଉଡ଼ି ଯାଉ ପଛେ            ଅସାର ଜୀବନ

ସତୀତ୍ୱଗରିମା ସଂସାରେ ଥାଉ ।

ପଶୁ ପକ୍ଷୀ ମଧ୍ୟ            ବିପଦେ ସ୍ୱଜନେ

ନ ତେଜି ସଙ୍ଗତେ ପ୍ରାଣ ଅର୍ପନ୍ତି,

ମାନବୀଜନମେ            କ୍ଷତ୍ରକୂଳବଧୂ

ଭଜିବେ କିପାଇଁ ଅଧମ ଗତି ।

ଆମ୍ଭେ ଥିଲେ କାଳେ            ସ୍ୱାମିପୁତ୍ରଗଣ

ଆମ୍ଭପାଇଁ ନିଜ ପ୍ରାଣ ରଖିବେ,

ପୂତ ପ୍ରତିଷ୍ଠିତ            କ୍ଷାତ୍ରଧର୍ମ ଲଙ୍ଘି

ସ୍ୱାଧୀନତାରତ୍ନେ ମ୍ଳେଚ୍ଛେ ବିକିବେ ।

କୀର୍ତ୍ତି ଗୌରବରେ                  ହୁଅ ଲୋ ମଣ୍ଡିତ

କୀର୍ତ୍ତିମନ୍ତ ଜନେ ଜୀବିତ,

ଅଯଶ−ଗୌରବେ            ସଗୋତ୍ରେ ସତୀଏ

ଛାର ପ୍ରାଣ ପାଇଁ ନୁହ ପତିତ ।

ମନସ୍ୱିନୀ ସତୀ            ପ୍ରାଣରଙ୍କ ହେବା

ଦେଶେ କାଳେ ଶାସ୍ତ୍ରେ ନୁହେ ବିହିତ

ପତି−ଅପମାନେ            ଦକ୍ଷସୁତା ସତୀ

ଜ୍ୱଳନ୍ତ ଅନଳେ ହେଲେ ପତିତ ।

ରାବଣେ ବଧିଣ            ଶ୍ରୀରାମ ନୃପତି

ଉଦ୍ଧାର କରିଣ ସତୀ ବୈଦେହୀ

କଳଙ୍କ ଭୟରେ            ପ୍ରତ୍ୟାଖ୍ୟାନ କରୁଁ

ଅଗ୍ନିରେ ମୈଥିଳୀ ପଡ଼ିଲେ ଡେଇଁ ।

ଜଳ ରେ ପାବକ            ଦ୍ୱିଗୁଣ ଜଳ ରେ

ନିଅ ତୋ କୋଳକୁ ବୀରରମଣୀ,

ମିଶୁ ପଞ୍ଚଭୂତେ            ଏ ଆମ୍ଭର ତନୁ

ଘୋଷୁ ଆମ୍ଭ ଯଶ ଖିଳ ଅବନୀ ।

ଜଳ ଜଳ ଅଗ୍ନି            ଦ୍ୱିଗୁଣ ଜଳ ରେ

ତୋ ଗରଭେ ସତୀ କରୁ ପ୍ରବେଶ,

ଶାନ୍ତିର ନିଳୟେ            ନ ପରଶୁ ତାକୁ

ଦାରୁଣ ଯାତନା−ଲାଞ୍ଛନା ଲେଶ ।”

ଯେଉଁ ରାଜପୁତ−            ବୀରତ୍ୱ−କାହାଣୀ

ଅମର ସଙ୍ଗୀତେ ହୋଇ ପ୍ରଥିତ

ଚାରଣବୃନ୍ଦର            ଉଚ୍ଚ କଣ୍ଠନାଦେ

ଚଉଦିଗେ ହେଉଥିଲା କୀର୍ତ୍ତିତ ।

ସ୍ରୋତସ୍ୱିନୀ ତୀର,            ଗହନକାନ୍ତାର

ତୁଙ୍ଗ ମହୀଧର, ହ୍ରଦ ଗଭୀର,

ପ୍ରତିଧ୍ୱନି−ବ୍ୟାଜ−            ବିଜୟ−ଗୀତରେ

ଦେଲେ ଯା ଉତ୍ତର ଧୀର ଗମ୍ଭୀର ।

ନିର୍ଜନେ ତଟିନୀ            କଳ କଳ ସ୍ୱନେ

ପ୍ରଚାରୁଥିଲ ଯେ ଜୟ ବାରତା

ସୁବିସ୍ତୀର୍ଣ୍ଣ ମରୁ−            ତପ୍ତ−ପ୍ରଭଞ୍ଜନ

ଘନେ ଘୋଷୁଥିଲା ଯା ପୁଣ୍ୟକଥା ।

ଗମ୍ଭୀରନିଶୀଥେ            ବନଲତାକୁଞ୍ଜେ

ଦୋଳି ଖେଳେ ରତ ବନ−ଅଙ୍ଗନା,

ଦିଗ୍‍ଦେଶୁଁ ଆଗତ            ଅନିଳ ସଙ୍ଗତେ

କରୁଥିଲେ ଯାର ଗୁଣବର୍ଣ୍ଣନା ।

ଆରାବଲ୍ଲୀଶୃଙ୍ଗ            ଟପି ଭେଟୁଥିଲା

ଯାଇଁ ଯାହା ହିମଗିରିଶିଖର,

ଯହୁଁ ଚନ୍ଦ୍ର, ତାରା,            ନକ୍ଷତ୍ର ଜଗତେ

ରଟୁଥିଲା ଯାର ଅସ୍ପଷ୍ଟ ସ୍ୱର ।

ସେହି ବୀରପ୍ରସୂ            ମିବାରମାତାର

ଆଜି କିପାଁ ଏଡ଼େ ମିଳନ ଦଶା,

ଅବାସାଦ−ଘନ−            ତାମସେ ଆବୃତ

କିପାଇଁ ମିବାର ଦୁଃଖେ ବିବଶା ?

କିପାଇଁ ଚିତୋର-            ରାଜସିଂହାସନେ

ବସିଛନ୍ତି ରାଣା ବିମର୍ଷମନେ,

କିପାଇଁ ଆଚ୍ଛନ୍ନ            ନୃପଚନ୍ଦ୍ରାନନ

ଏ ଘୋର ନୈରାଶ୍ୟ−ବିଷାଦ−ଘନେ ?

ସମ୍ମୁଖସମରେ            ପ୍ରାଣ ବିସଜବା

ଯାର ଚିରନ୍ତନ ପ୍ରଥା ଅଟଇ,

କିବା ଅଛି କାହିଁ            ଏ ମର ଭୁବନେ

ରାଜପୁତ ଯାହା ଭୟ କରଇ ?

ତେବେ କିପାଁ ଏହି            ବିଷାଦତିମିର

ଘୋଟିଅଛି ଆଜି ମିବାର−ପୁର,

ରାଜପରିବାରୁ            ଉଠି ‘ହା ହା’ ରବ

ଘୋଟିଯାଏଁ କିପାଁ ଦୂର ସୁଦୂର ?

ଶିଶୋଦୀୟ ଶୌର୍ଯ୍ୟ,      ଶିଶୋଦୀୟ ବୀର୍ଯ୍ୟ,

ଶିଶୋଦୀୟ ଜାତି ସତ୍ୟଶୀଳତ୍ୱ,

କାଳବଳେ କାଳ-            କରାଳ କବଳେ

ହୋଇଛି ସକଳ ଲୟ ପ୍ରାପତ ।

ଧିକ ତୋତେ କାଳ            ଧିକ ତୋ ବିଚାର

ଧିକ ଧିକ ତୋର କୁଟିଳା ଗତି !

ସାରକୁ ଅସାର            ଅସାରକୁ ସାର

କରାଉ କାଳେ ତୁହି ପ୍ରାପତି ।

ଥିଲେ କେତେ ଜାତି                  ଅସଭ୍ୟ ବର୍ବର

ହୋଇଛନ୍ତି ଏବେ ବୀରାଗ୍ରଗଣ୍ୟ,

କୋଟି ବୀରପ୍ରସୂ-            ଭାରତ−ସନ୍ତାନ

ଆଜି ଦୀନ ହୀନ କେଡ଼େ ନଗଣ୍ୟ ।

ଅଛି ସେହି ଦେଶ            ଅନା ରେ ନୟନ

ସେହି “ଆରାବଲ୍ଲୀ” ଟେକିଛି ମଥା,

ଦିଗବ୍ୟାପୀ ମରୁ            କଳ୍ପନାକର୍ଣ୍ଣରେ

କହୁଛି ଅତୀତ ଗୌରବକଥା !

ଅଛି ସେ ସଙ୍କଟ*            ଯହିଁ ମ୍ଳେଚ୍ଛାଥାଟେ

କରିଲେ “ପ୍ରତାପ” ମରଣ ବୃଷ୍ଟି,

ନାହିଁ ସେ ମହତ୍ତ୍ୱ            ଯା ବାର୍ତ୍ତାଶ୍ରବଣେ

ଡେରୁଥିଲା କର୍ଣ୍ଣ ନିଖିଳ ସୃଷ୍ଟି ।

 

 

ଦ୍ୱିତୀୟ ସର୍ଗ

ବୀର ଲୀଳାଭୂମି−            ମିବାର ରାଜ୍ୟର

ରଣା ଭୀମସିଂହ ନାମେ ରାଜନ,

ବୀର ରାଜପୁତ-            ନାମେ ଅଭିହିତ

ହେବାକୁ ନୁହନ୍ତି କିନ୍ତୁ ଭାଜନ ।

ଜନ୍ମ ସିନା ଶୂର-            କୁଳେ ଲଭିଥିଲେ

ବିପଦେ ପଡ଼ିଲେ ଜନ୍ମକାଳରୁ,

କୂଟ, ଷଡ଼ଯନ୍ତ୍ର,            ମିଥ୍ୟା, ପ୍ରବଞ୍ଚନା

ଘେରିଥିଲା ତାଙ୍କୁ ଜେଝା ବେଳରୁ ।

ଅର୍ଥଲାଭାଶୟେ            ଭୁଲି ବୀରଧର୍ମ

ବିକ୍ରମୀ ସିନ୍ଧିଆ ବଳୀ ହୁଲ୍‍କାର

ମହାବୀରବଂଶେ            ଜାତ ରାଜସୁତେ

ଦୁର୍ଦ୍ଦିନେ କରନ୍ତି କି ନାରଖାର ।

*ହଳଦୀଘାଟ ଗିରିଶଙ୍କଟ

 

କୃଷକ କେଦାର            ଗୃହସ୍ଥର ଘର

ପୁଣ୍ୟ ବଣିକର କରି ଲୁଣ୍ଠନ,

ରମଣୀର କଣ୍ଠୁ            ସ୍ୱଧର୍ମୀ ପାଷଣ୍ଡେ

କଲେ ଆହା ଅଳଙ୍କାର ହରଣ;

ଅର୍ଥଗୃଧ୍ନା ଅର୍ଥ-            ଗୃଧ୍ନୁ ଦସ୍ୟୁଙ୍କର

ଚରିତାର୍ଥ ହୋଇ ନାହିଁ ତଥାପି;

ବୀରମାତା ‘ରାଜ-            ବାରୀ’ ରାଜଧାନୀ

ଚିତୋରେ ପଶିଲେ ଜମ୍ୱୁକ ପାପୀ ।

ରାଜକୋଷ ଶୂନ୍ୟ            କରି ଭୀମସିଂହ

କୋଟି କୋଟି ମୁଦ୍ରା ପ୍ରଥମେ ଦେଲେ ।

ଦଶଦିଗଶୂନ୍ୟ            ଦେଖି ମହାରାଣା

ନାରୀସମ ହସ୍ତ ମସ୍ତକେ ଦେଲେ ।

ରାଣୀ−ରାଜକନ୍ୟା−            ରାଜବଧୂ−ଅଙ୍ଗୁଁ

ଅଳଙ୍କାର ରାଶି ସଂଗ୍ରହ କରି

ଦସ୍ୟୁଗଣଙ୍କର            ଅର୍ଥ ଗୃଧ୍ନା ରାଣା

ବାରମ୍ୱାର କଲେ ତୃପତ ଡରି ।

ହେ ମହାରାଷ୍ଟ୍ରୀୟେ            ଅଟ ପରା ତୁମ୍ଭେ

ସ୍ୱଦେଶୀୟ ପୁଣି ସ୍ୱଧର୍ମୀ ବୀର,

ମହାକୁଳ ପ୍ରତି            ଏତେ ଅତ୍ୟାଚାର

କେମନ୍ତେ ସହିଲା ତୁମ୍ଭ ଅନ୍ତର !

ବିଦେଶୀୟ ହୋଇ            ଥିଲେ ହେଁ ତ ନାରୀ-

ଉପରେ ନୁହନ୍ତା ସେ ଅତ୍ୟାଚାରୀ;

ରାଜପୁତକୁଳ            ବଧୁ ହିନ୍ଦୁବୀରେ !

ନୁହନ୍ତି କି ତୁମ୍ଭ କୁଳର ନାରୀ ?

ତୁମ୍ଭ କୁଳ ବୀର-            କେଶରୀ ‘ଶିବାଜୀ’

ନାରୀ ନିଗ୍ରହକୁ ବିଷନୟନେ

ଦେଖୁଥିଲେ ପରା,            ହେ ବଂଶବିଦ୍ରୋହୀ !

ନାହିଁ କି କଥା କାହାରି ମନେ ?

ନଶ୍ୱର ଦୈହିକ            ବଳେ କିପାଁ ମତ୍ତ ?

ଅଟଇ ନିଶ୍ଚେ ସେ ଅତି ଅଚିର,

ଧର୍ମବଳେ ବଳୀ            ହୋଇଥିଲେ ନିଶ୍ଚେ

ରହିଥାନ୍ତା ରାଜ୍ୟ ଭାରତେ ସ୍ଥିର ।

ଧର୍ମପଥେ ଚାଲି-            ଥିଲେ ମହାରାଷ୍ଟ୍ରୀ

କାର୍ତ୍ତି ରହିଥାନ୍ତା ଚିରଯୁଗରେ,

ସତ୍ୟଘୋଷୀ ଇତି-            ବୃତ୍ତ ତୁମ୍ଭ କାର୍ଯ୍ୟ

ବୁଡ଼ାଇଛି ଅପଯଶ କୁଣ୍ଡରେ ।

ଚିରଦିନ କାର            ସମାନ ନ ଥାଏ

ତୁମ୍ଭ ପରାକ୍ରମ ଯିବ ତ ସରି;

ଦେଖ ଦେଖ ଦୂରେ            ସ୍ୱର୍ଗଦୂତସମ

ଆସୁଛି ଭାରତେ ବୀରକେଶରୀ ।

ସପତ ବାରିଧି            ତେର ତରଙ୍ଗିଣୀ

ବ୍ରିଟିଶକେଶରୀ ଡେଇଁ ଆସିଛି;

ତୁମ୍ଭ ଅତ୍ୟାଚାରେ            ସ୍ୱଦେଶୀ ହିନ୍ଦୁଏ

ନ୍ୟାୟର ବିଧାତା ଡୋର ବାନ୍ଧିଛି ।

ଅତୁଳନ ଭୁଜ-            ବିକ୍ରମେ ବିକ୍ରାନ୍ତ

ହେ ବୀର ପ୍ରତାପ ଦେଖ ତ ଆସି;

ଅବୀରା, ସହାୟ-            ହୀନା ହୋଇ ତବ

ଜନ୍ମଭୂମି ହେଲା ବିଭୂତିରାଶି ।

ତବ ବଂଶେ ଜାତ            ହୋଇ ଭୀମସିଂହ

ଛି ଛି କିବା ବିର୍ଯ୍ୟବିହୀନ ହେଲେ;

କୋଟିବୀରପୂତ            ଶିଶୋଦୀୟ କୁଳେ

କଳଙ୍କକାଳିମା ଲେପିଣ ଦେଲେ ।

ହେ ବିଧାତଃ ଦିଅ            କିପାଇଁ ଦୁର୍ବଳେ

ବିଫଳ ଜନମ, ମୃତ ଜୀବନ,

ଆତ୍ମରକ୍ଷାବ୍ରତେ            ଅସମର୍ଥ ନର−

ହସ୍ତେ ପୁଣି ରାଜଦଣ୍ଡ ସ୍ଥାପନ ।

ରାଜ୍ୟରକ୍ଷା−ମହା−            ବ୍ରତେ ଦେହପ୍ରାଣ

ଯେ ରାଜା ନ ପାରେ କରି ଅର୍ପଣ,

ଶତ୍ରୁ−ଉପାନହ-            ଲେହନ ସକାଶ

କି ଫଳ ଥାଇ ସେ ବ୍ୟର୍ଥ ଜୀବନ ?

ଚିହ୍ଲୋଟକୁଳର            ରୁଧିର ଧମନୀ-

ମଧ୍ୟେ କି ତୁମ୍ଭର ନୁହେ ଚାଳିତ,

ପ୍ରତାପସିଂହଙ୍କ            ବଂଶଧର ବୋଲି

କେଉଁ ମୁଖେ ହେଉଅଛ ଚିହ୍ନିତ ?

ଜଡ଼ି ଉଦ୍ଭିଦରେ            ପଶୁପକ୍ଷୀଠାରେ

ନାରୀ−ରକ୍ଷାବ୍ରତ ହୁଏ ପାଳିତ,

କ୍ଷତ୍ରିୟ−ଅଭିଧା–            ଧାରୀ ଭୀମସିଂହ

କିପାଇଁ କଲ ହେ ତା ବିପରୀତ ?

ସକଳ ଗୌରବ–            ଭ୍ରଷ୍ଟ ହୋଇ ରାଣା

ରାଜପରିବାରେ କରି ରକ୍ଷଣ,

ଅର୍ଥହୀନ ମାନ−            ହୀନ ହୋଇ କଲେ

ଦୁଃଖଭାରାନତ ପ୍ରାଣ ଧାରଣ ।

ହରାଇଣ ଥିଲେ            ଧନ ମାନ ରାଣା

ଜନନାଶ ଥିଲା ବିଧାତା ଲିହି,

ବିପଦ ଆସିଲେ            ଏକାକୀ ନ ଆସେ

ସର୍ବନାଶ ତେବେ ଘଟାଏ ବିହି ।

 

 

 

 

ତୃତୀୟ ସର୍ଗ

କାଳକ୍ରମେ ରାଣା            ଭୀମସିଂହଙ୍କର

ସ୍ୱତନୟା ନାମେ କୃଷ୍ଣକୁମାରୀ

ଚିତୋରଧାମକୁ            କଲେ ଦିବ୍ୟ ଧାମ

ନିଜ ଦିବ୍ୟ ପ୍ରଭା ତହିଁ ବିସ୍ତାରି ।

ଉପବନମଧ୍ୟେ            କରଇ ବିହାର

ସେ ଲାବଣ୍ୟନିଧି ଏଣୀନୟନା,

ତ୍ରିଦିବଭବନେ            ନନ୍ଦନକାନନେ

କ୍ରୀଡ଼ା କରେ ଯେହ୍ନେ ତ୍ରିଦଶକନ୍ୟା ।

ଦିଶେ ହେମଗୋରୀ            ସେ ନବ କିଶୋରୀ

ଚଞ୍ଚଳ କାଞ୍ଚନମୂର୍ତ୍ତି ଯେସନ,

କନକମୃଣାଳେ            କନକକମଳ

ଫୁଟି ହରେ ଅବା ଦର୍ଶକମନ,

ଚାରୁ ଅପଘନ            ଶୋଭନ ଆନନ

ଲତା ଲାବଣ୍ୟେ କି ପ୍ରୀତିପ୍ରସୂନ,

ଲାବଣ୍ୟଲଳିତ            ବପୁ ପାଶେ କବି

ମାନସୀ ମୂରତି ହେବ ନିଊନ ।

କନକଗଉରୀ            ନବୀନକିଶୋରୀ

କନକପ୍ରତିମା ସରି ଶୋଭନ,

କନକମୃଣାଳେ            କନକକମଳ−

ସମ ଅଙ୍ଗଯଷ୍ଚିଲଗ୍ନବଦନ ।

ପ୍ରବେଶୁଁ ଯୌବନ            ତନୁ ସୁଶୋଭନ

ଖେଳିଲା କି ଶୋଭା−ସରେ କଲ୍ଲୋଳ

ବିଧିଶିଳ୍ପସୀମା            ତନୁ-ଅଙ୍ଗୀ ଶ୍ୟାମା

ନୀଳନେତ୍ର ପରେ ଭୁରୂ ବିଲୋଳ,

ଘନ ନୀଳକେଶ-            ତଳେ ସୁନ୍ଦରୀର

ଅରାଳ ଭ୍ରୂଲତା କିବା ଶୋଭିତ ।

ତୁଙ୍ଗ ବିହାୟସେ            ନୀଳଘନତଳେ

ସ୍ଥିରପକ୍ଷ ପକ୍ଷୀ କି ଅବା ସ୍ଥିତ ।

ଧନ୍ୟ ପିତା ମାତା            ଧନ୍ୟ ଜନ୍ମଭୂମି

ଏ ବାମା ଯେ କୋଳେ ଅଛନ୍ତି ଧରି,

କୋଟିଏଗୁଣେ ଧନ୍ୟ            ସେ ନରେନ୍ଦ୍ର ଯାଙ୍କ

ଅଙ୍କଲକ୍ଷ୍ମୀ ହେବେ ଏହି ସୁନ୍ଦରୀ ।

ଯେ ଯାହାର ଯୋଗ୍ୟ            ତାହା ପ୍ରଜାପତି

ରଖିଛନ୍ତି ସିନା ବେଳୁଁ ଘଟାଇ,

ବିଷ୍ଣୁଙ୍କ ନିମନ୍ତେ            କ୍ଷୀରବ୍‍ଧି−ସଲିଳେ

ଥିଲା କମଳାଙ୍କୁ କିଏ ଲୁଚାଇ !

ସୁନାଶୀରେ ଶଚୀ            ପିନାକୀଙ୍କି ସତୀ

ବହ୍ନିଦେବେ ସ୍ୱାହା ସଙ୍ଗତେ ବିହି

କନ୍ଦର୍ପଙ୍କୁ ରତି            ସବିତାଙ୍କୁ ଛାୟା−

ସଙ୍ଗ ପାଇଁ ଛନ୍ତି ବିଧାତା ବିହି ।

ଚୂତସଙ୍ଗ ଯୋଗ୍ୟା            ମାଧବୀ ଲତିକା

ସିନ୍ଧୁସଙ୍ଗଯୋଗ୍ୟା ସେ ସ୍ରୋତସ୍ୱିନୀ,

ସୁକୁମାରୀ ଫୁଲ-            ରାଣୀସଙ୍ଗୀ ଭୃଙ୍ଗ,

ଅଭ୍ର−ଅଙ୍କଯୋଗ୍ୟା ସେ ସୌଦାମିନୀ ।

ବିଭାବସୁବଂଶୀ            ଜୟପୁରପତି

କରିବେ କୃଷ୍ଣାଙ୍କ ପାଣିପୀଡ଼ନ,

ଜଗତସିଂହଙ୍କ            ଅଙ୍କଲକ୍ଷ୍ମୀ ଜେମା

ହେବେ, ହେଲା ଏହା ରାଜ୍ୟେ ରଟନ ।

ଅଦୃଶ୍ୟ ଭବିଷ୍ୟ-            ଗର୍ଭନ ଭେଦିଣ

ଆନନ୍ଦେ ମାତିଲେ ଚିତୋରନରେ,

ନ ଜାଣିଲେ କ୍ରୂର            କୁଟିଳ ନିୟତି

ଦେଖାଇଣ ଆଶା କେସନେ ହରେ ।

 

 

 

 

ଚତୁର୍ଥ ସର୍ଗ

ପ୍ରାର୍ଥୀ ହେଲେ ଜେମା-            ପାଣିପୀଡ଼ନରେ

ମାନସିଂହ ଯୋଧପୁରର ରାଜା,

ଲାଗିଲା ବିବାଦ            ହୋଇଲା ସମର

ବାଜିଲା ସଘନେ ସଂଗ୍ରାମବାଜା ।

ଉପହାର ସହ            ତ୍ରିଂଶ ଶତ ସୈନ୍ୟ

ପେଷିଥିଲେ କୃଷ୍ଣା−ପ୍ରାର୍ଥୀ ଜଗତ,

ତ୍ରିଂଶ ଶତ ଚମୂ            ପ୍ରତିଦ୍ୱନ୍ଦ୍ୱ ପାଇଁ

ଯୋଧପୁର ରାଜ୍ୟୁଁ ହେଲେ ଆଗତ ।

ରମଣି ! ତୋହରି            ସ୍ୱର୍ଗସୁଖ−ଆଶେ

କି ନ କରିପାରେ ଆଶାୟୀ ନର ?

ତୋ ମୃଣାଳବାହୁ−            ଲତା ଆଶେ ନର

ନ ମାନଇ ବହ୍ନି ଗିରି ସାଗର;

ସୀତା ପାଇଁ ରାମ−            ରାବଣମଧ୍ୟରେ

ହୋଇଥିଲା ଥରେ ଘୋର ଆହବ,

କୃଷ୍ଣା ଅପମାନେ            କୁରୁକ୍ଷେତ୍ରରଣେ

ଯୁଝିଲେ ଦ୍ୱାପରେ କୁରୁପାଣ୍ଡବ ।

ବାଜେ ବୀରବାଜା            ଉଡ଼େ ରଣଧ୍ୱଜା

କମ୍ଫେ ଅଭ୍ରଭେଦୀ ଗିରି କାନନ,

ମାର ମାର ରଡ଼ି            ଛାଡ଼ି କି ମରଣ

ଆକାଶମାର୍ଗରେ କରେ ଭ୍ରମଣ !

ପୂରୁବେ ସିନ୍ଧିଆ            ଅର୍ଥ−ପ୍ରାର୍ଥୀ ଥିଲେ;

ନ ପାଉଁ ଜଗତସିଂହ-ବିପକ୍ଷ ।

ଅମ୍ୱର−ଚମ୍ୱକୁ            ବାହୁଡ଼ିବା ପାଇଁ

ଆଦେଶିଲେ ହୋଇ ବିପକ୍ଷପକ୍ଷ ।

ସିନ୍ଧିଆ−ଆଦେଶ            ନ ହେଲା ପାଳିତ

ଆରାବଲ୍ଲୀ କ୍ଷେତ୍ରେ ହେଲା ସଂଗ୍ରାମ,

ରାଣା ନିଜ ସେନା            ସହ ଜୟପୁର-

ଚମୂ ହୋଇଗଲା ବିଫଳକାମ ।

ପରାସ୍ତ ହୋଇ            ଅମ୍ୱରଦତଙ୍କୁ

ବାହୁଡ଼ାଇ ଦେଲେ ରାଣା ନିରାଶେ,

ସ୍ୱ−ଅଷ୍ଟସହସ୍ର            ଅନୀକିନୀ ସହ

ରହିଲେ ସିନ୍ଧିଆ ଚିତୋରପାଶେ ।

ଅପମାନେ ରୋଷେ                  ଦ୍ୱାଦଶ ଅୟୁତ

ସେନା ସହ ବିଜେ ଜଗତ ଆପେ ।

ଷଡ଼ାୟୁତ ସେନା                  ସହ ମାନସିଂହ

ବିଧ୍ୱସ୍ତ ହୋଇଲେ ଶତ୍ରୁ ପ୍ରତାପେ,

ଦାରାବୈରୀ ପଛେ                  ପଛେ ଅମ୍ୱରେଶ

ଯୋଧପୁର ରାଜ୍ୟେ କଲେ ପ୍ରବେଶ,

ଶତ୍ରୁ ଦୁର୍ଗଧନ            କରିଣ ଲୁଣ୍ଠନ

ପଠାଉଥିଲେ ସେ ଆପଣା ଦେଶ ।

ମାର୍ଗରେ ରାଠୋର−            ବୀରଗଣ ମିଳି

ଛଡ଼ାଇ ନେଲେ ସେ ପଦାର୍ଥରାଶି,

ବିଜୟଲକ୍ଷ୍ମୀ ଯା            ପ୍ରତିକୂଳା ହେବେ

ପୌରୁଷ କି କରିପାରେ ପ୍ରକାଶି ।

ଅର୍ଦ୍ଧ ବର୍ଷକାଳ            ଯୋଧପୁର ଦୁର୍ଗ

ଅବରୋଧ କରି ରହିଲେ ବୀର,

ଏମନ୍ତ ସମୟେ            ସ୍ୱୀୟ ସ୍କନ୍ଧାବାର

ଅନ୍ତର୍ବିବାଦରେ ହେଲା ଅସ୍ଥିରା

ସୁଯୋଗ ପାଇଣ            ରାଠୋର ସୈନିକେ

କୁଶାବହଗଣେ କଲେ ବିନାଶ,

ନ ଦେଖି ଉପାୟ            ଅମ୍ୱର−ନୃପତି

ବାହୁଡ଼ିଣ ଗଲେ ହୋଇ ନିରାଶ ।

ଭାଗ୍ୟଚିତ୍ର ପଡ଼ି            ଜେତା ଜୟସିଂହ

ଘୋର ଅବସାଦେ ଫେରିଣ ଗଲେ,

‘ନଶ୍ୱର ଏ ଭବ−            ଭାବ’ ଏ ବିଶ୍ୱାସ

ଏହି ଭାବ ରାଏ ସୁଦୃଢ଼ କଲେ ।

ମ୍ଳେଚ୍ଛ ନରାଧମ            କ୍ରୂର ଅମିର ଖାଁ

ଥିଲା ପୂର୍ବେ ମାନସିଂହବିଦ୍ୱେଷୀ,

ଦେଖି ଜୟପୁର            ଭାଗ୍ୟ−ବିପର୍ଯ୍ୟୟ

ନେଲା ଶତ୍ରୁ ପକ୍ଷ ସେ ଛଦ୍ମବେଶୀ ।

ବିଶ୍ୱାସଘାତକ−            ପଣ କରି ତୂର

ମାରି ପକାଇଲା ବନ୍ଧୁସେନାନୀ,

ଏହି ରୂପେ ସିନା            ଏ ମହୀମଣ୍ଡଳେ

ପ୍ରଖ୍ୟାତି ଲଭନ୍ତି ନୃଶଂସ ମାନୀ ।

ବନ୍ଧୁବିରହିତ            ସେନାପରିତ୍ୟକ୍ତ

ଜୟପୁରରାଜା ହେଉଁ ପରାସ୍ତ,

ବାହୁଡ଼ିଣ ଗଲେ            ଜୟପୁର ଦେଶେ

ସକଳ ଭରସା ହେଲା ବିଧ୍ୱସ୍ତ ।

ଧନ୍ୟ ଭାଗ୍ୟଚକ୍ର−            କରାଳ ଆବର୍ତ୍ତ

କେ ପାରେ କଳିଣ ଭାଗ୍ୟର ଗତି !

ମାନସିଂହ ଆଜି            ବିପଦବିମୁକ୍ତ

ପରାଜିତ ଧ୍ୱସ୍ତ ଅମ୍ୱରପତି ।

ଦେଖି ହିନ୍ଦୁଙ୍କର            ସ୍ୱଗୃହବିଚ୍ଛେଦ

ଲମ୍ପଟ ଅମିର ବିଚାରେ ମନେ,

“ସୁବୁଦ୍ଧି ଖଟାଇ            ଚିତୋରେ ଯାଇଁ ମୁଁ

ଲଭିବି ସୁନ୍ଦରୀ−କନ୍ୟା−ରତନେ ।”

‘ବୀର−ଅଙ୍କଲକ୍ଷ୍ମୀ            ହୁଅଇ ସୁନ୍ଦରୀ’

ଏହି ଜନବାଦ ହୋଇ ସାର,

‘ଅଛି ଶକ୍ତି ଯାର            ହେବ ଜୟ ତାର’

ନୁହନ୍ତି ସଂସାରେ କେହି କାହାର ।

ଚିତୋରେ ଆସିଣ            କହିଲା ପଠାଣ

“ହେଉ କୃଷ୍ଣା ଯୋଧପୁରର ରାଣୀ,

ନୋହିଲେ ସଂସାରୁ            ବିଦାୟ ନେଉ ସେ

ବୀର ଅମିରଙ୍କ ଏ ଧ୍ରୁବବାଣୀ ।”

ଖାଆଁଙ୍କ ସଙ୍ଗତେ            ଷଡ଼ଯନ୍ତ୍ର କରି

ରାଣାଙ୍କର ମନ୍ତ୍ରୀ ଭୀରୁ ଅଜିତ,

ଶିଶୋଦୀୟ କୁଳେ            କଳଙ୍କ ଲଗାଇ

ସମ୍ମତ ହୋଇଲା ହୋଇଣ ଭୀତ ।

ନୀଚବଂଶୋଦ୍ଭୂତ            ମାନସିଂହ ଯେଣୁ

ରାଠୋରକୁଳରେ ତାହାର ଜନ୍ମ,

ମରୁ ପଛେ କୃଷ୍ଣା            ଥାଉ ଜାତି ମାନ-

ଏହି କୁମନ୍ତ୍ରଣା ଦେଲା ନିର୍ମମ ।

ରାଜସେନାପତି            ଦୌଲତ ସିଂହକୁ

ହତବୁଦ୍ଧି ରାଣା ଦେଲେ ଆଦେଶ,

“ବିଗ୍ରହ−ନିଦାନ            କନ୍ୟା ବଧି ବୀର

ରଖ କୁଳ ଧର୍ମମାନ ସ୍ୱଦେଶ !”

ବୀରଦର୍ପଭରେ            କହନ୍ତି ଦୌଲତ

“ଧିକ ଶତ ଧିକ ରାଜ−ଆଦେଶେ,

ଧିକ ଶତ ଧିକ            ମୋର ରାଜଭକ୍ତି

ନାହିଁ ନାହିଁ କାର୍ଯ୍ୟ ମୋର ସ୍ୱଦେଶେ !

ନାରୀହତ୍ୟାସଙ୍ଗେ            କନ୍ୟାହତ୍ୟାପାପ

କେମନ୍ତେ ବହିବ ହେ ଭୀମସିଂହ !

କିପାଁ ତୁମ୍ଭ ସରି            ଭୟାଳୁ ଶୃଗାଳ

ଜନ୍ମ କରିଥିଲା କ୍ଷତ୍ରିୟ ସିଂହ ।

କ୍ଷତରୁ ରଖନ୍ତା            କ୍ଷତ୍ରିୟ ଅଟଇ

ଆପଣା କନ୍ୟାକୁ ରଖି ନ ପାର,

କେଉଁ ଆଶାରେ ହେ      ଭୀରୁ ଭୀମସିଂହ

ରହିଅଛି ତୁମ୍ଭ ଜୀବନ ଛାର ?

କେଉଁ ମୁଖେ ତୁମ୍ଭେ            ବୀରପ୍ରତାପଙ୍କ

ବଂଶଧର ବୋଲି କର ପ୍ରଚାର,

ଦେଖ ଆସି ବୀର-            କେଶରୀ ପ୍ରତାପ

ତୁମ୍ଭ ବଂଶ ଆଜି କି ନାରଖାର ।”

ଯବାନ ଦାସେ କଲେ      ଆଜ୍ଞା ରାଣା ଭୀମ

ଦେଶରକ୍ଷା ନାମେ ନେଲେ ସେ ଅସି,

ନିର୍ଜନେ ଦେଖି ସେ            ସୁଷୁପ୍ତା କୃଷ୍ଣାଙ୍କୁ

ଖଡ଼୍‍ଗ କରୁ ତାଙ୍କ ପଡ଼ିଲା ଖସି ।

ବିଫଳବାସନା            ହୋଇ ଯବାନ୍ ଦାସ

ନିବେଦିଲେ ଯାଇଁ ରାଣା−ଚରଣ,

“ଏ ନିର୍ଦ୍ଦୟ ଆଜ୍ଞା            ନ ପାଳିବ ଦାସ

ଗଲେ ଯାଉ ପଛେ ତାର ଜୀବନ ।”

ଖାଆଁ−କୁମନ୍ତ୍ରଣେ            ରାଣା ଭୀମସିଂହ

ବିଷଦାନ କଥା ସ୍ଥିର କରିଲେ,

ନାରୀମହଲକୁ            ସନ୍ଦେଶ ପଠାଇ

କୋମଳ କରେ ଏ ଭାର ଅର୍ପିଲେ ।

ସୁକୁମାରି ନାରି !            ତୋ ହୃଦ କୋମଳ

ସଂସାର−ମରୁରେ ସ୍ୱଚ୍ଛତଟିନୀ,

କେସନେ ରାକ୍ଷସୀ-            ରୂପ ଧରି କାଳେ

ହେଉ ପୁଣି ନରନାରୀଘାତିନୀ ?

ଧିକ ଅମିର ଖାଁ            ଧିକରେ ନିଷ୍ଠୁର !

ଦୟା ମାୟା କି ତୋ ହୃଦୟେ ନାହିଁ ।

ବୃଥା ତୋର ଆଶା            ବୃଥାରେ ଲମ୍ପଟ

ହିନ୍ଦୁବାଳା ତୋତେ ବରିବ ନାହିଁ ।

ବୀର−ପକ୍ଷପାତୀ            ସର୍ବଦା ସୁନ୍ଦରୀ

ପାଷଣ୍ଡ ନୃଶଂସ ନୁହଇ ବୀର,

ଦୟା କ୍ଷମା ଧର୍ମ            ସାଧୁତା ବିଶ୍ୱାସେ

ଅଳଙ୍କୃତ ସଦା ପ୍ରକୃତ ବୀର ।

 

ପଞ୍ଚମ ସର୍ଗ

ରାଣୀହଂସପୁରେ            ପ୍ରବେଶୁଁ ବାରତା

କମ୍ପିଲା ରାଣୀଙ୍କ ସର୍ବ ଶରୀର,

କୋଟି ବଜ୍ର ଅବା            ଏକତ୍ରିତ ହୋଇ

ଉତ୍ପାଟିଲା ଆସି ଜନନୀଶିର !

ଚେତନା ଲଭିଣ            କହନ୍ତି ଜନନୀ

“ଦାରୁଣ ବିଧାତା କି ଦୋଷେ ମୋର

ପରାଣେ ନ ମାରି            ମରମେ ମାରୁଛୁ

ଦେଇଣ ଏସନ କଷଣ ଘୋର ?”

କହିଣ ଏତକ            ବଚନ ମହିଷୀ

ପଡ଼ିଗଲେ ପୁଣି ଧରଣୀତଳ;

ପ୍ରଶାନ୍ତ ସମୁଦ୍ରେ            ଚଳନ୍ତା ନାବର

ପ୍ରଳୟ−ଜଳକୁ କେବଣ ବଳ ?

ଉଠି ବସି ପୁଣି            କାନ୍ଦନ୍ତି ମହିଷୀ

ତରଳିବ ଶିଳା ଶୁଣିଲେ ତାହା,

“ଆଖି ଲୁହା ଛାତି            ପଥର କରିଣ

କେମନ୍ତେ ବଞ୍ଚିବି ତେଜି ତୋ ମାୟା ?

ଜାଣଇ ନିଶ୍ଚୟ            ବହୁକାଳ ତୋତେ

ଛାଡ଼ି ଏ ସଂସାରେ ରହିବି ନାହିଁ,

ଯେଉଁ କେତେ ଦିନ            ରହିବି ମାଆ ଲୋ

କହ ଦିନ ନେବି କା ମୁଖ ଚାହିଁ ?

ଦଶ ମାସ ତୋତେ            ଗରଭେ ଧରିଣ

ସହିଲି ଅସହ୍ୟ ଯାତନା ଘୋର,

ଆଶା କରିଥିଲି            ସୁଖ ଦେଖି ତୋର

ପସୋରି ଯିବି ସେ କଷଣ ମୋର,

ଶୁଭ ସ୍ୱୟମ୍ୱରେ            ନୃପତିଗଳାରେ

ଲମ୍ୱାଇ ଥାଆନ୍ତୁ ବରଣମାଳା,

ଦେଖି ତା ପରାଣ            ତୃପତ ହୁଅନ୍ତା

ପାସୋରି ପକାନ୍ତି ସକଳ ଜାଳା ।

ରୁଧିରପେଣ୍ଡୁଳି            ପାଳିଥିଲି ତୋତେ

ଡରି ଡରି ଜଡ଼ ଦେବ ମାନବେ,

ମୋ ସୁଖ−ଚନ୍ଦ୍ରମା            ଉଇଁଲା ବେଳେରେ

ଘୋର ମେଘ କାହୁଁ ଘୋଟିଲା ନଭେ !

ନିତମ୍ୱରୁ ସୁନା−            ସୂତା କାଢ଼ିନେଉ

ଦେଖାଇ ହରୁ ରେ ଲାବଣ୍ୟନିଧି,

ଭୁଞ୍ଜିଲା ଅନ୍ନରେ            ଭସ୍ମ ନିକ୍ଷେପିଣ

କି ଯଶ ଅର୍ଜୁରେ ଦାରୁଣ ବିଧି ?

ସଖୀ−ସଙ୍ଗତରେ            ଉଦ୍ୟାନ−କ୍ରୀଡ଼ାରୁ

ଫେରିଆସି ଆଉ କେବେ ଲୋ କୃଷ୍ଣା

‘ମାଆ ବୋଲି ବାରେ            ଡାକି ନ ହରିବୁ

ଚିରଦୁଃଖିନୀର ପରାଣ ତୃଷ୍ଣା !

ବୀଣାଜିଣା କଣ୍ଠି            ପିକବଚନାରେ

ନ ଶୁଣିବି ତୋର ମଧୁର ସ୍ୱନ,

ପୂର୍ଣ୍ଣ−ଇନ୍ଦୁମୁଖୀ            ତୋ ପଦ୍ମବଦନ

ନ ଦେଖିବ ମୋର ଦଗ୍‍ଧ ନୟନ !

ମୋ ଆଗରେ ତୋତେ            ଜୀବନ୍ତେ ମାରିବେ

କେମନ୍ତେ ଏ ଦୃଶ୍ୟ ଦେଖିବି ଚକ୍ଷେ,

ଶତଧା ବିଦୀର୍ଣ୍ଣ            ହୁଅ ଗୋ ଧରିତ୍ରୀ

ପାଉ ଅଭାଗିନୀ ଠାଇଁ ତୋ ବକ୍ଷେ !

ରକ୍ତର ରକତ            ମାଂସର ମୋ ମାଂସ

କି ଦୋଷେ ମା କୋଳୁ କରିବ ଛିନ୍ନ ?

ରକ୍ଷାକର ତୁମ୍ଭେ            ହେ ଦିବ୍ୟପୁରୁଷ

ଆକାଶରେ ଯେହୁ କରୁଛ ଦିନ ।

ଆହା ମୋର କୃଷ୍ଣା            ହା କ୍ରୂର ଅଜିତ

ହା ନିର୍ଦ୍ଦୟ ମ୍ଳେଚ୍ଛ ହୋଇ ରେ ବିହି !

ଦୁଃଖିନୀପରାଣ−            ତନୟାର ଭାଲେ

ଏ ଦାରୁଣ ଦୁଃଖ ଥିଲୁ ତୁ ଲିହି ।

ଘେନି ଭିକ୍ଷାଝୁଲି            ପଥେ ପଥେ ବୁଲି

ଭିକ୍ଷା ମାଗି ପଛେ କାଟିବି ଦିନ,

ପୁଷ୍ପଗତପ୍ରାଣା            ଲତିକାବୃନ୍ତରୁ

ନ କର ବିକଚକୁସୁମ ଛିନ୍ନ ।

ଜାଣନ୍ତା ପ୍ରମାଣେ            ଜଗତେ କାହାରି

ଦୋଷ କେବେ ମୂହିଁ କରିତ ନାହିଁ,

ବିନା ଅପରାଧେ            ମୋ ପ୍ରାଣଦୁହିତା

ସଙ୍ଗେ ମୋତେ ମାରୁଅଛି କିପାଇଁ ?

ବାଟଭିକାରୁଣୀ            ଘୋରଚଣ୍ଡାଳୁଣୀ

ଭିକ୍ଷା−ଅନ୍ନେ ହେଲେ ବଞ୍ଚାଏ ପ୍ରାଣ,

ରାଜକନ୍ୟା ହୋଇ            ମୋର ଦୁହିତାର

ଏ ଜଗତେ ତିଳେ ନାହିଁ କି ସ୍ଥାନ ?”

କାନ୍ଦୁ କାନ୍ଦୁ ରାଣୀ            ମୁର୍ଛିତା ହୋଇଲେ,

ଏହି ଅବସରେ ଅଙ୍ଗନାଗଣ

କୃଷ୍ଣକୁମାରୀଙ୍କୁ            ଉନ୍ମତ୍ତା ସିଂହୀର

ପାଶୁଁ ଟାଣିନେଇ କଲେ ଗମନ ।

ମାତା ଶୋକ−ଚ୍ଛଳେ            କାନ୍ଦିଲା ପ୍ରକୃତି

କାନ୍ଦିଲା ବିକଳେ ମିବାରଧରା,

ରମଣୀଲଲମ            ବୈଦେହୀବିୟୋଗେ

ଯେସନେ ସାକେତ ଶୋକରେ ଭରା !

ଶୋକାର୍ତ୍ତା ମାତାଙ୍କୁ            ବୋଧୁଥିଲେ କୃଷ୍ଣା

“କାନ୍ଦ ନା ଜନନି ! କାନ୍ଦ ନା ଆଉ,

ଥାଆନ୍ତୁ ଜନକ            ନିରାପଦେ ରହି

ଗଲେ ପଛେ ମୋର ଜୀବନ ଯାଉ ।

ନ ଫୁଟୁଣୁ କଢ଼ୀ            ପଡ଼େ ବୃନ୍ତୁଁ ଝଡ଼ି*

ବଡ଼ ହୀନମାନ ନାରୀଜନମ,

ଏତେ କାଳ ଯାହା            ବଞ୍ଚିଲି ପରାଣେ

ଅଟଇ ମାତା ତା ପିତାଙ୍କ ଧର୍ମ ।

*ଏଠାରେ ରାଜପୁତନାରେ ପ୍ରଚଳିତ କନ୍ୟାହତ୍ୟା ପ୍ରଥାକୁ ଲକ୍ଷ୍ୟ କରା ହୋଇଅଛି ।

 

ତବ ଆଶୀର୍ବାଦେ            ପ୍ରାଣର ଜନନି

ଆଜିଠାରୁ ଦୁଃଖ ସରି ମୋ ଯାଉ,

ଭୀଷଣ ନିର୍ଦ୍ଦୟ            ଅଟେ ଏ ସଂସାର,

କାନ୍ଦ ନା ଗୋ ମାତଃ କାନ୍ଦ ନା ଆଉ ।

ଭଙ୍ଗୁର ଏ ଭବ-            ଭଙ୍ଗିମା ମାଆ ଲୋ !

ସଂସାରର ମାୟା ଦୁଇ ଦିନର,

ଘୋର ଦୁଃଖଶୋକେ            ପୂର୍ଣ୍ଣ, ତାହା ପୁଣି

ନ ଘଟଇ ଭାଗ୍ୟେ କର୍ମହୀନର ।

ନୁହେ କି ମୁଁ ତୋର            ତନୁଜା ଜନନି !

ଡରିବି କି ମୁହିଁ ଛାର ମରଣେ ?

ଶାନ୍ତିରେ ରହୁ ଲୋ            ଏ ମୋର ସ୍ୱଦେଶ

ଥାଅ ତୁମ୍ଭେମାନେ ଆନନ୍ଦମନେ ।”

ଏଥୁଅନ୍ତେ ପିତୃ-            ନାମେ ବିଷପାତ୍ର

ସମର୍ପିଲା ଆଣି ପରିଚାରିକା,

ପିତାଙ୍କ ଉଦ୍ଦେଶ୍ୟେ            କରିଣ ପ୍ରଣାମ

ପାନ କଲେ ତାହା ବରଦାରିକା ।

ପିତାଙ୍କ ଆଦେଶେ            ଚଉଦ ବରଷ

ଘେନି ଯେହ୍ନେ ରାମ ଭାରିଯା ଭାଇ

ଗହନବିପିନେ            ଭ୍ରମିଥିଲେ ଯାହା

ଆଦିକାବ୍ୟେ ଗଲେ ବାଲ୍ମୀକି ଗାଇ ।

ପିତୃଆଜ୍ଞା ପାଳି            ସତ୍ୟବ୍ରତ ଯେହ୍ନେ

ରହିଲେ କୁମାର ଚିରଜୀବନ,

ଜନକ ଆଦେଶେ            ଯେହ୍ନେ ବୀର ଚଣ୍ଡ

ରାଜସିଂହାସନ କଲେ ବର୍ଜନ ।

ନୃଶଂସ ମାନବ            କଲା ଯେଉଁ କର୍ମ

ବିଷ କଲା ତହିଁ ଦୟା ବିଚାର,

ଉଦ୍ଦାମଯୌବନେ            କାଳ−ହଳାହଳ

ନ ନେଇ ପାରିଲା ପ୍ରାଣ କୃଷ୍ଣାର ।

କୃଷ୍ଣାରକ୍ତଲୋଭୀ            ଅମିର−ଆଦେଶେ

ଦେଲେ ପୁଣି ବିଷ ଦ୍ୱିତୀୟବାର,

ଶିରୀଷକୋମଳ            ତରୁଣ ତନୁରେ

ପୁଣି କାଳକୂଟ ମାନିଲା ହାର

ବାର ବାର କରି            ତିନି ବାର ବିଷ

ନିରୀହ ବାଳାର ବିନାଶେ ହାରି,

ଚତୁର୍ଥ ବାରକ            ବିଷପାନେ ଗଲେ

ଭବକାରା ତେଜି କୃଷ୍ଣକୁମାରୀ ।

ଶୁଭସ୍ୱୟମ୍ୱର-            ଅନ୍ତେ ଯେ କରନ୍ତେ

ନବକାନ୍ତ ସ୍ନିଗ୍‍ଧଗଣ୍ଡଚୁମ୍ୱନ,

ହଳାହଳପାନେ            ଦାରୁଣଶ୍ମଶାନେ−

କୋଳେ କଲେ ଆହା ଚିରଶୟନ ।