Unknown

ଚାରୁଚିତ୍ର

ନନ୍ଦକିଶୋର ବଳ

 

ମୁଖବନ୍ଧ

Imageଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତି—ଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :—

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?” (ରାଓଙ୍କ ସ୍ମୃତି—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃଷ୍ଠା ୧୧୧୮−୧୯)

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା । ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ—

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

ପୁଣି:—

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

 

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’—ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି—କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ । ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’—ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:—

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’—

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନ ଥାଏ । ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନ ଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :—

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।” (ଭାରତର ଭବିଷ୍ୟତ୍ ଭାଷା—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃ ୧୦୩୭−୩୮)

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା—ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି ? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

 

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇ ନ ଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Rennaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ । ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ । ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ । ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନ ଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ । ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪।୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ । ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତନ୍ତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇ ଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

 

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି– “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ– “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ । ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟରପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । *ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

*ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି–ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ । ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ–ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରି ନ ଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା ।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ–

“ହେ ଈଶ୍ୱର, ହର ମୋର ସର୍ବ ଅଧୀନତ,

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା ।”

କୁସୁପୁର

 

 

 

 

ତା ୨୫ । ୪ । ୧୯୫୫

 

 

 

ଶ୍ରୀ ସୂର୍ଯ୍ୟମଣି ଜେନା

 

ଉତ୍ସର୍ଗ

ଉଦାରଚରିତ୍ର, ସରଳହୃଦୟ, ପବିତ୍ରଚିତ୍ତ, ନିରାଡ଼ମ୍ବର ସ୍ୱଭାବ, ବଦାନ୍ୟପ୍ରଚର, ସ୍ୱଦେଶହିତୈଷୀ, “ଖଲ୍ଲିକୋଟ କଲେଜ”ର ରକ୍ଷାକର୍ତ୍ତା, “ଖଲ୍ଲିକୋଟ ଟାଉନ ହଲ”ର ପ୍ରତିଷ୍ଠାତା, ଉତ୍କଳ ସାହିତ୍ୟର ଉତ୍ସାହଦାତା, ପାଶ୍ଚାତ୍ୟ ସଭ୍ୟତାଲୋକପ୍ରାପ୍ତ ଖଲ୍ଲିକୋଟ ଓ ଅଷ୍ଟଦୁର୍ଗାଧୁପତି ଚୌହାନ ବଂଶାବତଂଶ ଶ୍ରୀଳଶ୍ରୀଯୁକ୍ତ ରାଜା ଶ୍ରୀ ହରିହର ମର୍ଦ୍ଦରାଜ ଦେବ ମହୋଦୟଙ୍କ ଗୌରବାନ୍ୱିତ ନାମରେ ଏହି “ଚାରୁଚିତ୍ର” ନାମକ କବିତା ପୁସ୍ତକ ଭକ୍ତି ଓ ସମ୍ମାନସହକାରେ ଉତ୍ସର୍ଗ କଲି ।

ବିନୟାବନତ

ଶ୍ରୀ ନନ୍ଦକିଶୟର ବଳ

ଭୂମିକା

ମତ୍‌ପ୍ରଣୀତ “ପଲ୍ଲୀଚିତ୍ର”, “ନିର୍ଝରିଣୀ”, “ସୀତାବନବାସ”, “କୃଷ୍ଣକୁମାରୀ” ଓ “ବସନ୍ତ−କୋକିଳ” ନାମକ ପାଞ୍ଚଖଣ୍ଡି କବିତାପୁସ୍ତକ ଇତିପୂର୍ବେ ପ୍ରକାଶିତ ହୋଇ ସମଗ୍ର ଉତ୍କଳବାସୀ ଦେଶଖଣ୍ଡରେ ବିଶେଷତଃ ସମ୍ବଲପୁର ଓ ଗଞ୍ଜାମରେ ଆଦୃତ ହେଉଥିବାରୁ ମୁଁ ବର୍ତ୍ତମାନ ଏହି “ଚାରୁଚିତ୍ର” ପ୍ରକାଶ କଲି ।

 

ସମ୍ବଲପୁର ଓ ଗଞ୍ଜାମ ରାଜନୈତିକ ଓଡ଼ିଶାରୁ ବିଚ୍ଛିନ୍ନ ହୋଇ ଥିଲେ ହେଁ ମୋର ବିଶ୍ୱାସ, ଅକୃତ୍ରିମ ମାତୃଭାଷାନୁରାଗରେ ପ୍ରୋକ୍ତ ଦୁଇ ଜିଲ୍ଲା ଓଡ଼ିଶାକୁ ଜିଣି ଅଛନ୍ତି । ମୁଁ ସମ୍ବଲପୁର, ଗଞ୍ଜାମ କାନ୍ଥି−ବାସିଗଣଙ୍କୁ ସର୍ବଦା ଏକ ଓଡ଼ିଆ ଜାତିର ଅନ୍ତର୍ଗତ ବୋଲି ମନେ କରିଥାଏଁ । ରାଜନୈତିକ ଭାବରେ ବିଚ୍ଛିନ୍ନ ହେଲେହେଁ ଆମ୍ଭେମାନେ ସମସ୍ତେ ଏକ ମାତୃଭାଷାରୂପ ପବିତ୍ର ବନ୍ଧନ−ସୂତ୍ରରେ ଆବଦ୍ଧ । ସ୍ୱଦେଶହିତୈଷୀ ସମ୍ବଲପୁର−ଅଧିବାସିବୃନ୍ଦଙ୍କ ପଦାଙ୍କ ଅନୁସରଣ କରି ଆମ୍ଭେମାନେ ସମବେତ ଭାବରେ ବିଚ୍ଛିନ୍ନ−ଉତ୍କଳ ଭୂମିଖଣ୍ଡକୁ ଏକୀଭୂତ କରିବା ସକାଶ ନ୍ୟାୟଶୀଳ ବ୍ରିଟିଶରାଜାଙ୍କଠାରେ ବାରମ୍ବାର ଅଳି କଲେ ଭଗବାନଙ୍କ କୃପାରେ ସୁଦିନ ଆସିବ । ଅବାନ୍ତର ହେଲେହେଁ ମୁଁ ଅଦ୍ୟ ପ୍ରାଣର ଚିରପୋଷିତ ବାଞ୍ଛାକୁ ସ୍ୱଦେଶୀୟ ଭାତୃମଣ୍ଡଳୀଙ୍କ ନିକଟରେ ପ୍ରକାଶ କରି ନିଜକୁ କୃତକୃତ୍ୟ ମଣିଲି ଏବଂ ବିଚ୍ଛିନ୍ନ ଗଞ୍ଜାମବାସୀ ସ୍ୱଜାତୀୟ ଭ୍ରାତୃବୃନ୍ଦଙ୍କୁ ବିଶେଷ ଭାବରେ ପ୍ରୋକ୍ତ ନିବେଦନପୂର୍ବକ ଜନୈକ ଗଞ୍ଜାମ ଅଞ୍ଚଳୀୟ ସ୍ୱଦେଶହତୈଷୀ ସାହିତ୍ୟ−ରସିକ ନୃପତିଙ୍କ ନାମରେ “ଚାରୁଚିତ୍ର” ଉତ୍ସର୍ଗ କଲି ।

ଡଗରାପଡ଼ା

 

 

 

୨ । ୪ । ୧୯୦୨

 

 

ପ୍ରଣେତା

 

ଉତ୍କଳ

(ରାଗ-ଶଙ୍କରାଭରଣ)

ଶୁଣ ହେ ଉତ୍କଳ ବାସି ! ନବ−ଆଶା−ଗୀତ

ଶୁଣି ଯାହା ଉଦ୍‌ବୋଧିତ ମୋର କ୍ଷୁଦ୍ର ଚିତ୍ତ ।

ଦେଖୁଥିଲି ମୁଁ ସ୍ୱପନ,

ଶୂନ୍ୟପଥୁଁ ଶୁଭିଲା ଏ ମଧୁର ଗାୟନ ।

ଉଠ ହେ ଉତ୍କଳବାସି ! ବାନ୍ଧ ହେ ସାହସ,

ଚଢିବ ଯଶ−ସୋପାନେ ଆଣ୍ଟେ ଅଣ୍ଟେ କସ,

କେଭେ ନିରାଶି ନ ହୁଅ,

ଯୁଝ ଜୀବନ−ସଂଗ୍ରାମ ହେ ଓଡ଼ିଆ−ପୁଅ ।

 

ଫେଡ଼ି ନେତ୍ର ଚାହାଁ ବାରେ ତୋ ପୂର୍ବ−ଗୌରବେ,

ନୁହେ କି ଦୁର୍ଲ୍ଲଭ ତାହା ଏ ନିଖିଳ ଭବେ ?

ଦେଖ ଚିତ୍ରକର, କବି,

କି ସୁନ୍ଦର ଚିତ୍ରିଛନ୍ତି ଉତ୍କଳର ଛବି !

 

ପବିତ୍ର ଉତ୍କଳଭୂମି ସୌନ୍ଦର୍ଯ୍ୟଶାଳିନୀ,

ପୂଣ୍ୟବତୀ ଆହା ଯଥା ରୁପସୀ କାମିନୀ,

ଦକ୍ଷ ସ୍ୱର୍ଣ୍ଣକାରକର—

ନିର୍ମିତଲଲମେ ତନୁ କେମନ୍ତ ସୁନ୍ଦର !

 

କୋଣାର୍କ−ଏକାମ୍ର−ଚିତ୍ର ଅବା ଶ୍ରୀକ୍ଷେତ୍ରର

ସାରା ମେଦିନୀ ମଧ୍ୟରେ ନାହିଁ ପଟାନ୍ତର,

ଅଗଣିତ କୀତ୍ତରାଜି

ଶୋଭନ୍ତି ଉତ୍କଳ−ଅଙ୍କେ ଚାରୁ ସାଜେ ସାଜି ।

 

ଉତ୍କଳର ସ୍ଥାନେ ସ୍ଥାନେ ମନ୍ଦିର ରାଜନ୍ତି,

କାଳ−ସଂହାର−ମୂରତି ଚାହିଁ କି ହସନ୍ତି !

ପୂର୍ବ ଗୌରବର କଥା

ହେମବର୍ଣ୍ଣେ ମୁଦ୍ରିତ କି ମନ୍ଦିରଙ୍କ ମଥା ।

 

ଉତ୍କଳର ଅଙ୍କେ ଜନ୍ମି ଭଞ୍ଜ ବୀରବରେ

ସାହିତ୍ୟ−ପଟେ ଲେଖିଲେ ଅମର−ଅକ୍ଷରେ

ଦ୍ୱାପଞ୍ଚାଶ କାବ୍ୟଚିତ୍ର,

କବିତ୍ୱ−ପାଣ୍ଡିତ୍ୟ−ମେଳ ମୋହନ ବିଚିତ୍ର ।

କବିସୂର୍ଯ୍ୟ, ବିଶ୍ୱମ୍ଭର, କବି ଅଭିମନ୍ୟୁ,

ତୋଳିଲେ କାବ୍ୟ−କୁସୁମ କବିତା−କାନନୁ,

ଗୁନ୍ଥି ପ୍ରେମ−ପୁଷ୍ପହାର

ଭକ୍ତିଭରେ ଲମ୍ବାଇଲେ ଉତ୍କଳ−ଗଳାର ।

ଭକ୍ତକବି ଜଗନ୍ନାଥ ଗାଇ ବିଷ୍ଣୁ ନାମ

ଗଙ୍ଗା−ଗୋଦାବରୀଯାଏ କଲେ ଦିବ୍ୟଧାମ,

ଘରେ ଘରେ ହରି−ଲୀଳା

ଗୀତ ହୁଏ; ଶୁଣେ ଯାହା ନାରୀ ଶୁଦ୍ଧଶୀଳା ।

କବି କୃଷ୍ଣସିୟହ ପୁଣି କବି ବଳରାମ

ଗାଇଲେ ଅର୍ଜୁନ−କୃଷ୍ଣ ସୀତା−ରାମନାମ,

ଓଜଃସ୍ୱରେ ଭାଷାଦାସ

ଗାଇଲେ ମହାଭାରତ ଶ୍ରୀ ସାରଳାଦାସ ।

ଉତ୍କଳଜନନୀ ବହୁ ବୀରପ୍ରସବିନୀ,

ଦିଗ୍‌ବିଜୟେ ବଙ୍ଗ ଦାକ୍ଷିଣାତ୍ୟ ଥିଲେ ଜିଣି,

ଦିଲ୍ଲୀ−ମୋଗଲ୍−ସମ୍ରାଟେ

ଅସିମୁନେ ଠେଲି ରଖିଥିଲେ ଶୂରଚାଟେ ।

ବୀରଦର୍ପେ ଟଳମଳ ହେଲା ଓଡ଼୍ରଦେଶ,

ଥରହର କମ୍ପୁଥିଲେ ବିଦେଶୀ ନରେଶ,

ଲକ୍ଷ ଲକ୍ଷ ଖଣ୍ଡାୟତ

ଉତ୍କଳେଶ ତଳେ କଲେ ଦେଶ ସୁଶାସିତ ।

 

ସର୍ବ−ଧର୍ମ−ଲୀଳାସ୍ଥଳ ଉତ୍‌କଳ ଶରୀର,

ସାମ୍ୟଧ୍ୱଜା ଉଡ଼ାଇଲେ ଏଥି ବୌଦ୍ଧବୀର

ପ୍ରେମବୀର ଶ୍ରୀ ଚୈତନ୍ୟ

ଗାଇ ହରିନାମ କଲେ ଏ ଉତ୍‌କଳେ ଧନ୍ୟ ।

ଉତ୍କଳଗରଭୁଁ କେତେ ସାଧୁଭକ୍ତସୁତ

ଜନମି କରିଲେ ପ୍ରିୟ ମାତୃକୋଳ ପୂତ,

ପଞ୍ଚସଖା ଆଦି ଭକ୍ତ*

ଘୋଷି ସାମ୍ୟମନ୍ତ୍ର କଲେ ଏ ଦେଶ ପବିତ୍ର ।

 

ଥିଲା ଯେ ଉତ୍କଳ କାଳେ ଗୌରବ−ନିଦାନ,

ହେଲା ତାହା ଘୋର ଅବସାଦେ ମ୍ରିୟମାଣ,

ଗତ ଗୌରବର ରବି,

ଘୋଟିଲା ଦେଶେ ଦୁଃଖ−ଅମାନିଶା ଛବି ।

 

ଜାତି−ଭେଦବୁଦ୍ଧି ପୌରୋହିତ୍ୟ−ଅତ୍ୟାଚାର,

ସ୍ୱଦେଶୀନୃପତିଙ୍କ ହିଂସା ଘୋର ଅନାଚାର,

ବର୍ଗୀ−ମୋଗଲ−ପଠାଣ,

କରିଥିଲେ ଓଡ଼ିଶାକୁ ଶ୍ମଶାନ ସମାନ ।

 

ଶ୍ୱେତଦ୍ୱୀପୁଁ ଆସି ବୀର ଦେବଦୂତ ସମ

ବିଦୂରିତ କରିଛନ୍ତି ଘୋର ଦୁଃଖ−ତମ,

ବହେ ପ୍ରଭାତ ପବନ

ଆଉ ନରହ ବିଷାଦ−ନିଦ୍ରା−ନିମଗନ ।

 

କିଏ ଅଛି ଏ ଉତ୍କଳେ ଭକ୍ତଜ୍ଞାନୀ ବୀର

ବହନ ବିନାଶ ଚିର ଦୁଃଖ ଜନନୀର,

ଫେରୁ ଗୌରବ−ତପନ

ହସୁ ଉତ୍କଳ−ମାତାଙ୍କ ପଙ୍କଜ−ଆନନ ।

*ଅଚ୍ୟୁତ, ଅନନ୍ତ, ଯଶୋବନ୍ତ, ଉତ୍କଳ ଭାଗବତ ପ୍ରଣେତା ଜଗନ୍ନାଥ ଦାସ ଏବଂ ଉତ୍କଳ ରାମାୟଣ ପ୍ରଣେତା ବଳରାମ ଦାସ, ଏହି ପାଞ୍ଚ ସାଧୁ “ବିଷ୍ଣୁଙ୍କର ପଞ୍ଚସଖା” ନାମରେ ଉତ୍କଳରେ ପ୍ରସିଦ୍ଧ । ପ୍ରଥମୋକ୍ତ ତିନି ଜଣଙ୍କ ବୃହତ୍ ଗ୍ରନ୍ଥରାଜି ଅପ୍ରକାଶିତ ରହିଅଛି ।

 

ପ୍ରଭାତ

ସ୍ତବ୍‌ଧ, ବିନିଦ୍ରିତ, ଏବେ ନିଖିଳ ଧରଣୀ

ଉତ୍କର୍ଣ୍ଣ କଳ୍ପିନା ଶୁଣେ ଶୂନ୍ୟେ ଦିବ୍ୟଧ୍ୱନି,

ବାଜଇ ତ୍ରିଦିବ ଯନ୍ତ୍ର, ମୃତସଞ୍ଜିବନୀ−ମନ୍ତ୍ର

ଉଚ୍ଚାରି ବିଶ୍ୱ−ବିଧାତା, ଢାଳି ଶାନ୍ତିବାରି,

ବରଷନ୍ତି ଜ୍ଞାନାମୃତ ସର୍ବମୋହହାରୀ ।

ପ୍ରଶାନ୍ତ ପବିତ୍ର ଏ ଯେ ନିଶାନ୍ତ−ସମୟ,

ମନ୍ଦ ମନ୍ଦ ବହୁଅଛି ସୁସ୍ନିଗ୍‌ଧ ମଳୟ

ଘେନି ଲଲାଟ ବିମଳ ଚିତ୍ତବୃତ୍ତି ସୁନିର୍ମଳ

ଜାଗ୍ରତ ମାନବକୁଳ ଘେନି ନବବଳ,

ଭୟେ ପଳାନ୍ତି ଭୟାଳୁ ନିଶାଚରଦଳ ।

 

ପୂର୍ବାଶା ଲଲାଟେ ଶୋହେ ଶୁଭ୍ର ଶୁକ୍ରତାରା

ବରଷେ କି ବିଶ୍ୱଧାମେ ଅମୃତର ଧାରା ।

ପ୍ରଚୀନଭ−ସିନ୍ଦୁରିମା ପ୍ରକାଶେ ଶୋଭାଗରିମା,

ଧନ୍ୟ ଧନ୍ୟ ପ୍ରକୃତି ଗୋ ଧନ୍ୟ ଚାରୁଶୀଳା,

କେ ବର୍ଣ୍ଣି ପାରିବ ତୋର ଅପରୂପ ଲୀଳା !

ଶୁଭିଲାଣି ବାୟସର କାଆ କାଆ ସ୍ୱନ,

ଶଯ୍ୟା ତେଜି ଉଠ ଏବେ ରେ ଅଳସ ମନ ।

ସୁକୁମାରୀ ବଧୂଗଣ ତେଜି ପତି ଆଲିଙ୍ଗନ

କରନ୍ତି ସେ ଆନ ମନେ ନିତ୍ୟକର୍ମମାନ

ଦୂରୁ ଶୁଭେ ଭାବେ ପ୍ରଭାତିଛି ଏବେ ନିଶୀଥିନୀ,

କି ବିଚିତ୍ର ସାଜେ ଆହା ସାଜିଛି ମେଦିନୀ !

ପ୍ରାଚୀ−କୋଳେ ବାଳରବି ଉଇଁ ବିଶ୍ୱେ ଚାରୁ ଛବି

ବିସ୍ତାରିଣ, ଦେଲା ତାକୁ ନୂତନ ଜୀବନ,

ନବପ୍ରାଣ ଲଭି ସତେ ହସେ କି ଭୁବନ !

 

କହି ପାର ମନୁଷ୍ୟ ହେ କେବଣ ଉଦ୍ଦେଶ୍ୟେ

ଥିଲା ଏ ପ୍ରାଣିଜଗତ ଘୋରନିଦ୍ରାବେଶେ ?

ଯେସନ ତନୟାସୁତ କରାଇ ନିଦ୍ରାଭିଭୂତ

ପ୍ରିୟସଖୀ ସଙ୍ଗେ ରମେ ବିଶ୍ରାନ୍ତା ରମଣୀ,

ଶାନ୍ତି−ସହ ଥିଲେ ତେହ୍ନେ ଧରିତ୍ରୀ−ଜନନୀ ?

ଅବା ଯେହ୍ନେ ସୁଚତୁର ନୀତିଜ୍ଞ ନୃପତି

ସୁଗୁପତେ ସଭା କରି ମନ୍ତ୍ରଣା କରନ୍ତି,

ତେସନ ସୁରସମାଜ ସଂସାଧନେ ସୃଷ୍ଟିକାର୍ଯ୍ୟ

ବସନ୍ତି ଆକାଶେ ଆସି ଚନ୍ଦ୍ରତାରାରୂପେ;

ନ ବୁଝେ ମାନବ ପଡ଼ି ଭବ−ଅନ୍ଧକୂପେ !

ନୀଡ଼ ଛାଡ଼ି ନାନାବିଧ ବିହଙ୍ଗମାବଳୀ

କଳରବେ କରୁଛନ୍ତି ମଧୁର କାକଳୀ,

ଏକ ଦିଗୁଁ ଦିଗାନ୍ତରେ ଏକ ବୃକ୍ଷୁ ବୃକ୍ଷାନ୍ତରେ

ଗମନ୍ତି, ବସନ୍ତି, ପୁଣି କରନ୍ତି କୂଜନ

କେ କହି ପାରିବ କାହିଁ ପାଇଁ ଘନଘନ !

 

ଲତା−ଦ୍ରୁମେ ସୁଶୋଭିତ ପୁଷ୍ପପଲ୍ଲବର

ମିହିକା ଦିଶଇ ଆହା କେମନ୍ତ ସୁନ୍ଦର !

ପତି−ବିରହ ଶୋକରେ ତ୍ରିଯାମା ସ୍ୱଲୋତକରେ

ସକ୍ତ କରିଥିଲା କିଏ ଧରଣୀର କାୟା ?

ତନୁ ବିସର୍ଜିଲା ପୁଣି ତେଜି ନିଜ ମାୟା !

ଦେବାଳୟେ ହେଉଅଛି ମଙ୍ଗଳ−ଆରତି ।

ଆରତି−ବାଜଣା ଉଚ୍ଚେ ବାଜୁଅଛି ଅତି ।

ଘଣ୍ଟା ବାଜେ ଘଣ୍ଟ ବାଜେ ତୁରୀଭେରୀ ଶଙ୍ଖବାଜେ,

ଅସ୍ଫୁଟେ ଶୁଭଇ ପୁଣି ଆରତି−ଗାୟନ,

ସେ ଗୀତ ଶ୍ରବଣେ ମୋର ଦ୍ରବିଯାଏ ମନ ।

କାହିଁ କ୍ଷୁଦ୍ର ପଲ୍ଲୀଗ୍ରାମେ ତଟିନୀର ତଟେ

ତରୁ−ଶାଖେ ବିହଙ୍ଗମ ମଧୁ ତାନେ ରଟେ ।

 

ଊର୍ଦ୍ଧ୍ୱେ ବିଶାଳଗଗନେ ପ୍ରଭାତର ଆଗମନେ,

ହିଲ୍ଲୋଳେ ତଟିନୀବକ୍ଷ ସୁଧୀର ସମୀର

ଜାଗ୍ରତ ନିସର୍ଗଡାକେ ସୁକ୍ଷୁପ୍ତ କୁଟୀର ।

ଲଲାଟେ ସିନ୍ଦୂରଟୋପା ଗ୍ରାମସୀମନ୍ତିନୀ

ଗୌର−ଅଙ୍ଗା ଶୁଭ୍ରବସ୍ତ୍ରା ନୀଳ କୁନ୍ତଳିନୀ

ଘେନି, ନିଜ ନିତ୍ୟଧର୍ମ ପରିବାର−ଶୁଭ−କର୍ମ

ସମ୍ପାଦନ ଆଶେ ହୋଇ ଉଭା ଗୃହପାଶ

ମଧ୍ୟେ ମଧ୍ୟେ ମାରେ ଧନୀ ମୃଦୁ ମନ୍ଦ ଶ୍ୱାସ ।

ଅରୁଣ ସିନ୍ଦୁର−ଟୋପା ଉଷାସୀମନ୍ତିନୀ

ଶୁଭ୍ରଦିଗବସ୍ତ୍ରା ନୀଳନଭ କୁନ୍ତଳିନୀ

ଘେନି, ବିଶ୍ୱହିତାବ୍ରତ କର୍ତ୍ତବ୍ୟେ ହେବ ନିରତ,

ଏ ଉଦ୍ଦେଶ୍ୟେ ଉଭା ଧନୀ ବିଶ୍ୱଗୃହପାଶ,

ସୁରଭି ପ୍ରଭାତ−ବାୟୁ ଅଟେ କି ତା ଶ୍ୱାସ ?

 

ଶୁଣ କର୍ଣ୍ଣ ଡେରି ବାରେ ଜୀବନ−ସଙ୍ଗୀତ,

ହୁଏ ଯାହା ଇଚ୍ଛା−ରାଜ୍ୟୁଁ ଉଚ୍ଚେ ଉଦ୍‌ବୋଧିତ,—

“ହୋ ଜଗତ−ଅଧିବାସି ! ବିସର୍ଜି ଆଳସ୍ୟରାଶି

ସାଧ କର୍ମଯୋଗ, ଯେବେ ତରି ଭବାର୍ଣ୍ଣବ

ଭୁଞ୍ଜିବ ଶାଶ୍ୱତ ଶାନ୍ତି ବୈକୁଣ୍ଠବିଭବ ।”

 

ମଧ୍ୟାହ୍ନ

ସ୍ଥାଣୁ−ଶିଖୁଁ ଶୁଭୁଅଛି ଶଙ୍ଖଚିଲ−ସ୍ୱନ,

ଝାଇଁ ଝାଇଁ ଝମକୁଛି ନିଖିଳ ଭୁବନ ।

ଡହ ଡହ ବହୁଅଛି ତପତ ପବନ,

ସ୍ଥିରପକ୍ଷ ଚିଲ ଦିଶେ ଭ୍ରୁଲତା ଯେସନ ।

ଧୀରେ ଧୀରେ କମ୍ପୁଅଛି ଅଶ୍ୱତ୍‌ଥ ବିଟପୀ,

(ଗୁଣ୍ଡୁଚିଏ ଚଢ଼ୁଛନ୍ତି ଯହିଁ ଛପି ଛପି ।)

 

ଝିମେଇଁ ଝିମେଇଁ ଝୁଲେ ବିରାଟ ରାକ୍ଷସ,

ଢୋଳାଇ ପଡ଼ିଛି କିବା ହୋଇ ନିଶାବଶ !

ଦୋହଲାଉ’ଛନ୍ତି ଦ୍ରୁମେ ଦୀର୍ଘ ଘନ ଡାଳ

ବାହୁ ସଞ୍ଚାଳନ୍ତି କିବା ପ୍ରେତ ବିକଟାଳ ।

ଏକ ବୃକ୍ଷ ଶାଖା ସ୍ପର୍ଶେ ଆନ ବୃକ୍ଷେ ନଇଁ,

ବିକଟ ରହସ୍ୟ କିବା ହୋନ୍ତି କହା କହି ।

ଗମ ଗମ ବହିଯାଏ ଅପଘନୁ ସ୍ୱଦ,

ସମଗ୍ର ବ୍ରାହ୍ମଣ୍ଡ କିବା ଲଭିଛି ନିର୍ବେଦ ।

 

ସନ୍ଧ୍ୟା

ବୁଡ଼ିଅଛି ଡାଆଣିଆ ଖରା

ହୋଇଛି ଦିନର ଅବସାନ,

ଅଳସ ଅବସ ଏବେ ଧରା,

ଅବସନ୍ନ ପ୍ରକୃତି−ପରାଣ ।

 

ଦୂରସ୍ଥିତ ନଦୀ−ସୈକତରେ

ଦୀର୍ଘ ଛାୟା ଦିଗନ୍ତପଟରେ

ମିଶି ଯାଇଅଛି ନୀରବରେ,

ହେମପଦ୍ମ ଭାନୁ ଅସ୍ତମାନ ।

 

ଦିବସର କୋଳାହଳ ନାହିଁ

ପକ୍ଷୀ ଉଡ଼ି ଚାଲିଗଲା କାହିଁ !

ବିଚାତ ଜୀବନମୁଖେ ଚାହିଁ

ଶୁଣ ଶୁଣ ସ୍ମୃତି ଗାଏ ଗାନ ।

 

ସନ୍ଧ୍ୟାଦେବୀ−ଧୂସର−ଅମ୍ବରା

ତେଜି ଚାଲି ଯାଇଛନ୍ତି ଧରା;

ଆସିଛନ୍ତି ନିଶି କୁଷ୍ଣାମ୍ବରା,

ବାରି ନୁହେ ଆଉ ବଡ଼ ସାନ ।

 

ରହି ରହି ପ୍ରଦୋଷପବନ

କରେ ଦ୍ରୁମେ ପତ୍ର ସଞ୍ଚାଳନ,

ପ୍ରକୃତିର ଜୃମ୍ଭା ଘନ ଘନ

ଅନନ୍ତକୁ କରଇ ପ୍ରୟାଣ ।

 

ଚେତନା ଲୁଚିଛି ଦୂର ବନେ,

ଶାନ୍ତି ଆସି ଘୋଟିଅଛି ମନେ ।

ଶାନ୍ତି−ଦେବୀ ଅନନ୍ତ ଗଗନେ

କରୁଛନ୍ତି ଅନନ୍ତର ଧ୍ୟାନ ।

 

ଆରେ ମୋର ଶାନ୍ତ ମୁଗ୍‌ଧ ମନ,

କାହିଁ ଦୂରେ କରୁ ରେ ଭ୍ରମଣ ।

ଫେଡ଼ି ବାରେ ଜ୍ଞାନର ନୟନ,

କର୍ମସ୍ରୋତେ ନୁହ ଭାଷମାନ !

 

ନିଶୀଥ

-୧-

ଦେଖ ଏ ନିଶୀଥକାଳ କେମନ୍ତ ନୀରବ,

ସ୍ଥିର ବିନିଦ୍ରିତା ଏ ଯେ ନିଖିଳ ଧରଣୀ,

ନାହିଁ ନର କୋଳାହଳ, ନାହିଁ ପକ୍ଷୀ ରବ

ସୁଖ ସ୍ୱପ୍ନ ଦେଖି ହସେ ସୁଷୁପ୍ତା ଅବନୀ ।

ନିନାଦି ଉଠନ୍ତି ମଧ୍ୟେ ମଧ୍ୟେ ନିଶାଚର,

ପଲକେ ଶବଦ ପୁଣି ହେଉଛି ସ୍ତମ୍ଭୀତ;

(ଧରିତ୍ରୀ−ଅଙ୍ଗନା କିବା ଲେଉଟାଇ କର)

ପୂର୍ବ ନିସ୍ତବ୍‌ଧତା ତହୁଁ ହୁଏ ଦ୍ୱିଗୁଣିତ ।

ଏହି ଯେ ବିଟପିପନ୍ତି ନିଶ୍ଚଳ ନୀରବ

ନିଶୀଥ ଗଗନ ଭେଦ ଟେକିଛନ୍ତି ମଥା,

ପ୍ରଚାରନ୍ତି ନାହିଁ କି ସେ ଜ୍ଞାନ ଅଭିନବ,

କଳ୍ପନା−କର୍ଣ୍ଣରେ ସେ କି ନ କହନ୍ତି କଥା ?

ସୁମନ୍ଦ−ସମୀର ବ୍ୟାଜେ ଏ ମୋର ବିଶ୍ୱାସ

ପ୍ରକୃତି−ରମଣୀ ଖରେ ମାରଇ ନିଶ୍ୱାସ ।

 

-୨-

ଫେଡ଼ି କଳ୍ପନାର ନେତ୍ର ଅନାରେ ମାନବ,

ନୁହେ ଏ ଜଗତ କେବେ ଜଡ଼ର ସର୍ଜନା,

ଭାବର ସଂସାର ଏ ଯେ ଚିର ଅଭିନବ,

“ଧୂଳିର ସଂହତି ବିଶ୍ୱ”—ଭାବ ନା ଭାବ ନା ।

ଊର୍ଦ୍ଧ୍ୱେ ଦୀପ୍ତିର ଅର୍ଣ୍ଣବେ ବାରିଦ−ବୋଇତ

ଭାସି ଚାଲି ଯାଉଛନ୍ତି କାହିଁ ଦିଶେ ଦିଶେ,

ଅସଂଖ୍ୟ ଜ୍ୟୋତିଷ୍କ କରି ନବ ଉଦ୍ଭାସିତ,

ଅବିଶ୍ରାନ୍ତ ଭ୍ରାମ୍ୟମାଣ ଅଜ୍ଞାତ ଉଦ୍ଦେଶେ ।

ଅନନ୍ତ ଅପାର ଏ ଯେ ସୁନୀଳ ଗଗନ,

ଏ ବିଶ୍ୱସୃଷ୍ଟି−ପ୍ରାରମ୍ଭୁ ପ୍ରସାରିଛି କାୟା,

କି ଅଶବ୍ଦ ସାମଗୀତି କରେ ସେ ଗାୟନ,

ଭୂମା ବରେଣ୍ୟ ଦେବର କି ବିରାଟ ଛାୟା !

ଏ ସର୍ବ କେବଳ କି ହେ ଅଣୁର ସଂସାର,

ନୁହଇ କି ପ୍ରାଣମୟ ଚୈତନ୍ୟ−ଆଗାର ?

 

ଆକାଶ

-୧-

ଭୋ ନଭ ସୁନୀଳ ସୁନ୍ଦର,

ଅସଂଖ୍ୟ ଗ୍ରହଙ୍କର ଘର ।

ରବି, ଚନ୍ଦ୍ରମା, ଧରା, ତାରା,

ପବନ ବରଷାର ଧାରା,

ତୋ ମଧ୍ୟେ ସମସ୍ତଙ୍କ ବାସ

ଆହା କି ସୁନ୍ଦର ଆକାଶ !

ଯେତିକି ଦୂର ଯାଏ ମୁହିଁ

ସେତିକି ଘୁଞ୍ଚି ଯାଉ ତୁହି ।

ମୋତେ ତୁ ଜାଣି କ୍ଷୁଦ୍ରମନା

କରୁ କି ବ୍ୟୋମ ପ୍ରବଞ୍ଚନା ?

ତୁ ଅଟୁ ମହାନ ଅମ୍ବର,

ମୁଁ ଅଟେ ଅତି କ୍ଷୁଦ୍ର ନର

ଆହେ ! ବିଶାଳ ବିହାୟସ,

ଛଳାଇ କ୍ଷୁଦ୍ରେ କେଉଁ ଯଶ ?

ଅଥବା ନୁହେଁ ଏ ଅକୀର୍ତ୍ତି,

ମହତ ଜନର ଏ ରୀତି;

ପାଣ୍ଡିତ୍ୟ ତେଜି ଜ୍ଞାନୀ ଜନ,

ମୋହନ୍ତି ଶିଶୁ–ଜନ–ମନ;

ଶିଶୁ ବର୍ଦ୍ଧିତ ହେଲେ ଜ୍ଞାନେ,

ଜ୍ଞାନୀଙ୍କୁ ଶ୍ରେଷ୍ଠତର ଜାଣେ;

ଯେତେ ସେ ହୁଏ ଅଗ୍ରସର

ଜ୍ଞାନୀଙ୍କୁ ଦେଖେ ଦୂରତର;

ପ୍ରବୀଣ ଜ୍ଞାନୀ ବ୍ୟୋମ ତୁହି,

ଅନନ୍ତ ରାଜ୍ୟେ ଶିଶୁ ମୁହିଁ ।

 

-୨-

ଭୋ ବ୍ୟୋମ ଅନନ୍ତ ଅସୀମ,

ଅପାର ଅଚିନ୍ତନ ଭୀମ;

କ୍ଷୁଦ୍ର ମୁଁ ବୁଝିବା ସକାଶ

ସସୀମ ଦିଶୁ କି ଆକାଶ ?

ସୁନୀଳ ଖିଲାଣ ସମାନ,

ହେଉ ଅନନ୍ତ ଦୃଶ୍ୟମାନ;

ଦିବସେ ବାସର–ରାଜନ

କରନ୍ତି ବିଜୟ–ଗମନ ।

ପ୍ରଦୋଷେ ଲୋହିତ ଭାସ୍କର

ଡୁବଇ ଢାଳି ରକ୍ତକର ।

ନିଶୀଥେ ଚନ୍ଦ୍ର ତାରାରାଶି

ହସନ୍ତି ତୋ ଦୁଆରେ ଆସି

ନିଶାନ୍ତେ ପିନ୍ଧି ଶୁକ୍ଳଭୂଷା,

ତୋ ଘରେ ଦେଖା ଦିଏ ଉଷା

ଗ୍ରୀଷମେ ପ୍ରଚଣ୍ଡ ମାର୍ତ୍ତଣ୍ଡ

ବୁଣଇ କିରଣ ପ୍ରଚଣ୍ଡ ।

ଦିବସେ ଘୋର ଧୂଳି ଉଡ଼ି,

ତୋର ଉଦରେ ଯାଏ ବୁଡ଼ି ।

ରାତ୍ରରେ ଚନ୍ଦ୍ର ତାରାରାଶି,

ଖେଳନ୍ତି ତୋ ବକ୍ଷରେ ଭାସି ।

ବରଷା ଆସିଲାରୁ ଘନ

ତୋ ମୁଖେ କରେ ଆଚ୍ଛାଦନ ।

ବିବିଧ ବରିଦର ପନ୍ତି

 

-୩-

ନୀଳ ଲୋହିତ ପୀତ ରଙ୍ଗ

କରେ ଚିତ୍ର ତୋ ଶୁଭ୍ର ଅଙ୍ଗ

ଅସଂଖ୍ୟ–ତାରକା–ଖଚିତ,

ହେ ଅନ୍ତରୀକ୍ଷ କି ବିଚିତ୍ର !

ଦିବା, ପ୍ରଦୋଷ, ନିଶା, ଉଷା,

ପିନ୍ଧୁ ତୁ ଆନ ଆନ ଭୂଷା ।

ଗ୍ରୀଷମ, ବରଷା, ଶରତ,

ହେମନ୍ତ, ଶିଶିର, ବସନ୍ତ,

ଷଡ଼–ଋତୁରେ ଦେଶେ ଦେଶେ

ସାଜୁ ତୁ ନବ ନବ ବେଶେ ।

ତା ପଛେ ଝରଇ ଝର୍ଝର

ବରଷା ଧାରା ଖରତର ।

ପତିତ ବରଷାର ଧାରା

କ୍ଷିତିରେ ଖୋଳାଇ ମାହାରା ।

ପ୍ରବାହ–ନଦୀ–ନାଳାକାରେ

ବହଇ ଜଳ ପାରାବାରେ ।

ଶରତେ ନିର୍ମଳ ଚନ୍ଦ୍ରମା

ପ୍ରକାଶେ ଅତୁଳ ସୁଷମା ।

ହେମନ୍ତ–ପ୍ରଭାତେ କୁହୁଡ଼ି

ଘୋଟନ୍ତେ ଆଶା ଯାଏ ବୁଡ଼ି ।

ଉଦିତ ହୁଅନ୍ତେ ତପନ

କରେ କୁହେଲି ପଳାୟନ ।

 

ତୋ ବକ୍ଷେ ଭାସିଣ ଗମନ୍ତି ।

ମାର୍ତ୍ତଣ୍ଡ ବିପରୀତ ଦିଶେ

ତ୍ରିବର୍ଣ୍ଣୀ ଇନ୍ଦ୍ରଧନୁ ଦିଶେ ।

ଚପଳା କନକ–ପ୍ରଭାରେ

ରହି ରହିଣ ଉଙ୍କିମାରେ ।

ଘଡ଼ିକ ଘଡ଼ି ଘଡ଼ଘଡ଼ି,

ରଡ଼ଇ ଛାଡ଼ି ଘୋର ରଡ଼ି ।

ବହଇ ଶୀତଳ ପବନ,

ହୁଅଇ ବାରିର ପତନ ।

ପହିଲେ ପଡ଼େ ଟିପି ଟିପି,

ହୁଅଇ ଭୂମି ଛିପି ଛିପି ।

ମୋହ–କୁଜ୍‌ଝଟି ହୃଦାକାଶେ

ଏସନେ ପୁଣ୍ୟ–ଆଶା ଗ୍ରାସେ ।

ବିବେକେ ପ୍ରକାଶନ୍ତେ ପ୍ରଭୁ

ପଳାଇ ଯାଏ ପାପ ସବୁ ।

ଶିଶିରେ ଦିଶୁ ପାଣ୍ଡୁବର୍ଣ୍ଣ

ଜରା ଗ୍ରାସିଲେ ଯେହ୍ନେ ଜନ ।

ବିମଳ ପୁଣି ତୁ ବସନ୍ତେ

ସିଦ୍ଧାତ୍ମା ଯେହ୍ନେ ମୁକ୍ତି–ଅନ୍ତେ ।

ବିଚିତ୍ର ସୁନ୍ଦର ଅମ୍ବର

ଅନନ୍ତ ଉପମାର ଘର ।

କହ ଆକାଶ କହ ମୋତେ

ଦେଲା ଏ ରୂପ କିଏ ତୋତେ ?

 

ପୁଷ୍ପ

ଅତୁଳ ସୌନ୍ଦର୍ଯ୍ୟସୃଷ୍ଟି ତୁହି ରେ ସୁମନ,

ତୋହ ସଙ୍ଗେ ହୁଅ ଭବେ ଦୁଇଟି ତୁଳନ—

ଶିଶୁର ନିର୍ମଳ ସୌମ୍ୟ ବଦନମଣ୍ଡଳ,

ସତୀର ପବିତ୍ର–ପ୍ରେମ–ସିକ୍ତ ବକ୍ଷସ୍ଥଳ ।

ସ୍ୱର୍ଗୀୟ ଶୋଭାର ସୃଷ୍ଟି ଜଗତେ ଅତୁଳ,

ନିଖିଳ–ସୌନ୍ଦର୍ଯ୍ୟ–ସାର ଏକଧାରେ ଠୁଳ ।

ରାଜଲକ୍ଷ୍ମୀ ନୁହନ୍ତି ତ ସର୍ବତ୍ର ସୁଲଭା,

ସୁପ୍ରସିଦ୍ଧା ଯେଣୁ ଧନୀ ସୌଭାଗ୍ୟବଲ୍ଲଭା ।

କିନ୍ତୁ ତୁହି ପ୍ରସୂନ ରେ ସାଧାରଣ ଧନ,

ତୋତେ ଦେଖି ମୁ ଗ୍‌ଧ ହୁଏ ସର୍ବଜନ ମନ ।

ନାହିଁ ଯାର ରାଜ୍ୟସୁଖ ପାର୍ଥିବ ବିଭବ

ତୋତେ ଦେଖି ଭୁଞ୍ଜେ ସେହି ସୁଖ ଅଭିନବ ।

ନାହିଁ ଯାର ନବ ଶିଶୁ ଅବା ସତୀ ନାରୀ

ତୋତେ ପାଇ ତୃପ୍ତ ହୁଏ ପରାଣ ତାହାରି ।

ତିମିର–ଆଚ୍ଛନ୍ନ କାରା ଦୁଃଖିର ସଂସାର,

ସେ କାରାଭବନେ ତୁହି ମୟୁଖର ଧାର ।

ପଥବଣା ହୋଇଣ କି କେଉଁ ଦେବକନ୍ୟା

କରିଅଛୁ ପାପପୁର୍ଣ୍ଣ ଭବଭୂମି ଧନ୍ୟା !

ଦୁଷ୍ମନ୍ତ–ଚିନ୍ତା–ନିମଗ୍ନା ଅବା ଶକୁନ୍ତଳା

ଦ୍ୱିତୀୟ ଦୁର୍ବାସାଶାପେ ପୁଷ୍ପେ ହୋଇଗଲା !

ଆହେ ପୁଷ୍ପ ବିନୟର ଅଟୁ ଆଦରଶ,

ତୋର ଦରଶନେ ମନେ ଉପୁଜେ ହରଷ ।

ତୋ ରୂପ ସଙ୍ଗରେ ନାହିଁ ତୁଳନା ଏ ଭବେ,

ସେଥିପାଇଁ ଗରବ ତ ନାହିଁ ତୋର ଲବେ ।

ନୀରବ ଭାବରେ ଫୁଟି ଜନମନ ହରୁ,

ହସି ହସି ନମ୍ରଭାବେ ସ୍ୱକର୍ତ୍ତବ୍ୟ କରୁ;

ଯଥାକାଳେ ହେଉ ପୁଣି ବିଲୟ ପ୍ରପାତ,

ସମସ୍ତ ନଶ୍ୱର ଏହା ଶିଖଇ ଜଗତ ।

 

ଘଟନା–ସୂତ୍ରରେ ଆସି ଟେକିଛୁ କି ଶିର,

ନ ସାଧି ଜୀବନବ୍ରତ ତେଜିବୁ ଶରୀର ?

ନୁହେ କି ଉଦ୍ଦେଶ୍ୟପୂର୍ଣ୍ଣ ଅସ୍ତିତ୍ୱ ତୋହର,

ନୋହୁ କି ଅତୁଳ ସୃଷ୍ଟି ବିଶ୍ୱକର୍ମ୍ମାଙ୍କର ?

ଦକ୍ଷିଣରୁ ମନ୍ଦ ମନ୍ଦ ବହୁଛି ପବନ,

ଇତସ୍ତତଃ କରୁଅଛ ତୋତେ ଆନ୍ଦୋଳନ ।

ସେ ଛବି ଦେଖି ମନକୁ ଏମନ୍ତ ଆସୁଛି

ଗୁଣେ ମୁଗ୍‌ଧ ବାୟୁ ପ୍ରେମଭିକ୍ଷା କି କରୁଛି ।

ପବିତ୍ର ସତୀତ୍ୱ–ଧର୍ମ ପ୍ରଚାରିବା ପାଇଁ

ପବନକୁ ଅଳିପ୍ରୟା କହୁ “ନାହିଁ ନାହିଁ ।”

ସେ ନିଷ୍ଠୁର ବୈରାଗ୍ୟରୁ ଶିଖେ ମୁଗ୍‌ଧ ନର

ପାପପାଇଁ ସୃଷ୍ଟିନୁହେ କେଭେ ସୈନ୍ଦର୍ଯ୍ୟର ।

 

ଚାରୁ ସୃଷ୍ଟି ଅଟୁ ତୁରେ ସୁନ୍ଦରୀ ସୁମନ,

ସଜନ ସ୍ଥାନରେ ରହି ମୋହୁ ପ୍ରାଣୀମନ

କିନ୍ତୁ ପୁଷ୍ପ କି ଉଦ୍ଦେଶ୍ୟେ ନିର୍ଜନ ପ୍ରଦେଶେ

ଫୁଟି ତୋଷୁ କାହା ମନ ସୁବାସେ ସୁବେଶେ ?

ଘୋର ଗହନ କାନନେ ପର୍ବତ କନ୍ଦରେ,

ଗଭୀର ଗହ୍ୱରେ କିମ୍ବା ବିସ୍ତୀର୍ଣ୍ଣ ପ୍ରାନ୍ତରେ

ନାହିଁ ଘର ଗ୍ରାମ ଯହିଁ ନରକଣ୍ଠଶଦ୍ଦ

ଅବା ଯହିଁ ନ କ୍ରୀଡ଼ଇ ତୋ ବନ୍ଧୁ ଷଟ୍‌ପଦ,

ଢଳ ଢଳ ପ୍ରୀତି ତୋର ଉଚ୍ଛୁଳେ କା ପ୍ରତି,

ନିର୍ଜନ ପ୍ରଦେଶେ କରୁ କାହାକୁ ଭକତ ?

କହ ପୁଷ୍ପ ଅଟେ ତୋର କିଏ ପ୍ରାଣନାହା,

ବିପଦ କାଳରେ ତୋତେ କିଏ ହୁଏ ସାହା ?

ମାଡ଼େ ଯେବେ ଖର ସ୍ରୋତ ବିଶ୍ୱପରମାଦୀ,

ବହଇ ଝଞ୍ଜା ପବନ ଗମ୍ଭୀରେ ନିନାଦି,

ଢଳି ଢଳି କାହା କୋଳେ ଲୁଚି କହ ମୋତେ,

ଅଶବଦ ଶବଦେ ସେ କି ବୋଧନ୍ତି ତୋତେ ?

 

କହ ପୁଷ୍ପ ପ୍ରାଣପତି କାହିଁ ତୋ ଅଛନ୍ତି,

କି ଭାବେ ସେ ଏ ବିଶ୍ୱର ଶୁଭ ଆଚରନ୍ତି ?

କାହାନ୍ତି ସେ ଶାନ୍ତି ମୁକ୍ତି ପ୍ରେମର ଆଧାର

ଯା ବିହୁନେ ଏ ଜୀବନ ସ୍ୱପନ–ଆକାର ?

କାହିଁ ସେ ଅକ୍ଷୟ ଉତ୍ସ ଆରେ ପୁଷ୍ପବର

ଯହୁଁ ସମ୍ଭବିଲା ସୃଷ୍ଟି ତୋହର ମୋହର ?

କି ଉଦ୍ଦେଶ୍ୟେ ସୃଷ୍ଟି ଏହି ମାନବ ଜୀବନ

କେଉଁ ଗମ୍ୟ ସ୍ଥାନେ ବିଶ୍ୱ କରଇ ଗମନ ?

 

ମାନବ

ବିଷମ–ସମସ୍ୟା ଅଟେ ମାନବଜୀବନ,

ଯାହା ଭାବି ସ୍ତବ୍‌ଧ ହୁଏ ମୋର ପ୍ରାଣ ମନ

ସ୍ୱର୍ଗୀୟ ନାରକ ଭାବ ଠୁଳ ଏକାଧାରେ,

ଦୁଇ ପାର୍ଶ୍ୱ ଚିତ୍ର ତାର ଆଲୋକ ଅନ୍ଧରେ ।

କେତେବେଳେ କେଉଁ ଭାବ ଦେଖାଏ ମାନବ

ନରକ–ପୃରୀଷ ପୁଣି ତ୍ରିଦିବ ବିଭବ ।

ଧନ୍ୟ ହେ ଅଦ୍ଭୁତ ବସ୍ତୁ ନମସ୍କାର ତତେ,

ତୋ ଗୂଢ଼ ରହସ୍ୟ ମୁହିଁ ବୁଝିବି କେମନ୍ତେ !

ଭୀମକାନ୍ତସମାବେଶ କେଡ଼େ ମନୋରମ—

ସାହସ, ସାଧ୍ୱସ ପୁଣି ତିତିକ୍ଷା, ବିକ୍ରମ,

ପବିତ୍ର ଦାମ୍ପତ୍ୟ ପ୍ରୀତି, ପିତୃମାତୃଭକ୍ତି,

ସୋଦର–ସନ୍ତାନ–ସ୍ନେହ ସଖା–ଅନୁରକ୍ତି,

ଜୟା ସଙ୍ଗେ ନ୍ୟାୟ, ଧର୍ମ, ପୁଣ୍ୟ, ପବିତ୍ରତା—

ଏତେ ରତ୍ନେ ବିଭୂଷିତ ମାନବ ଦେବତା ।

 

ସ୍ୱର୍ଗୀୟ–ସୁଷମା–ସୃଷ୍ଟି ମାନବ ପରାଣୀ

ଶୋଭାର ଅକ୍ଷୟ ଉତ୍ସ କେ ପାରେ ବଖାଣି !

ସୁନ୍ଦର ପାଶେ ବିଭତ୍ସ ଦିଶେ ଅସୁନ୍ଦର,

ରାମ ପାଶେ ଘୃଣ୍ୟ ଅତି ଦୃଷ୍ୟ ରାବଣର

ଚାରୁ ଦିବ୍ୟ ଶୋଭାଧାମ ମାନବ ଅନ୍ତର

ଦେଖାଏ ବିଭତ୍ସ ଚିତ୍ର ଘୋର ନରକର ।

ଭୀରୁତା, ଅବିଶ୍ୱସ୍ତତା, ପୁଣି ନିର୍ମମତା,

ଅସମ୍ମାନ, ସ୍ୱାର୍ଥଶୀଳଭାବ କୃତଘ୍ନତା,

ନିଷ୍ଠୁରତା, ପତିହିଂସା, ଅନ୍ୟାୟ, ଅଧର୍ମ,

ଅପୁଣ୍ୟ, ଅପବିତ୍ରତା–ପୂର୍ଣ୍ଣ ନରକର୍ମ ।

ଜ୍ଞାନସିନ୍ଧୁ ପାରି ହୁଏ ନର ବୁଦ୍ଧିବଳେ,

ଅଧ୍ୟବସାୟେ ଜିଣାଇ ଭବନ–ମଣ୍ଡଳେ,

 

ଜଗତକୁ ଜ୍ଞାନାଲୋକେ କରଇ ପ୍ରଦାନ,

କରଇ ଲୋକ ଆଦର୍ଶ ଜୀବନ ଯାପନ;

ଅଜ୍ଞାନ–ତିମିରେ ପୁଣି ପଡ଼େ ସେହି ନର,

ମନ୍ଦୀଭୂତ କରେ ଗତି ସ୍ୱୀୟ ସମାଜର—

ଏକାଧାରେ ସମାବିଷ୍ଟ ଆଲୋକ ଅନ୍ଧାର,

ଦେବତ୍ୱ–ପଶୁତ୍ୱ–ବେନି–ବିଚିତ୍ର–ଆଧାର ।

ଲାବଣ୍ୟମୟୀ ମୂରତି ଧରଇ ମାନବ,

ସେହି ପୁଣି ଭୟାବହ ବିକଟ ଦାନବ ।

କର୍ମ–ଭକ୍ତ–ଜ୍ଞାନେ ନର ଲଭଇ ଦେବତ୍ୱ,

କେତେବେଳେ ପୁଣି ଭଜେ ନରକକୀଟତ୍ୱ

ମହାନ୍–ଆଦର୍ଶୁଁ ନର ହୋଇଣ ପତିତ

ହେଲେହେଁ କଳଙ୍କ–ପଙ୍କେ କ୍ଷଣେ କଳୁଷିତ,

ସତ୍–ଚିତ୍ ଆନନ୍ଦର ଜୀବନ୍ତ ମୂରତି,

ଅନନ୍ତର ଶିଶୁ, ଲକ୍ଷ ଅନନ୍ତ ଉନ୍ନତି ।

 

ନାରୀ

“Here woman reigns; the mother, daughter, wife,

Strews with fresh flowers the narrow way of life,

In the clear heaven of her delightful eye,

An angel guard of loves and graces lie,

Around her knees domestic duties meet,

And fireside pleasures gambol at her feet.”

Montgomery.

 

ଅୟି ନାରି ! ଆଦିଶକ୍ତି ସଂସାରକାରଣ,

ଭୂତଧାତ୍ରି ଜନନି ଗୋ ଜୀବର ଜୀବନ ।

ଜଗତଜନନୀ ମା ଗୋ ନିଖିଳ ସସ୍ଥିତି,

ତୋ ବିହୁନେ ସଂସାରର ନାହିଁ ସୃଷ୍ଟି ସ୍ଥିତି ।

 

ସୃଜନ, ପାଳନ, ଲୟ ତବ ପୂତ କୋଳେ,

ଜନମେ ତୋ ଅଙ୍କେ ଜୀବ କ୍ରନ୍ଦନର ରୋଳେ ।

ସୁଧାସମ ଦୁଗ୍‌ଧଦାନେ ପାଳ ତାର ପ୍ରାଣ,

ସେ ଦୁଗ୍‌ଧ ସଙ୍ଗତେ ଦିଅ ମହାଦୀକ୍ଷା ଦାନ;—

“ଏହିରୂପେ ସନ୍ତାନ ରେ ଏ ବିଶ୍ୱ ଭୁବନ,

ପାଳି କର ଏ ଦୁର୍ଲ୍ଲଭ ଜୀବନ ଯାପନ ।”

ସସ୍ନେହେ ସନ୍ତାନଗଣ୍ଡେ ଦେଇଣ ଚୁମ୍ବନ,

ପ୍ରଚାର ଗୋ ଆଦିମାତଃ ପବିତ୍ର ବଚନ;—

“ଏହିରୂପେ ଆରେ ଶିଶୁ ବିପୁଳ ଧରିତ୍ରୀ

ଏକୀଭୂତ କର ଦେଇ ସ୍ନେହ, ଭକ୍ତି, ପ୍ରୀତି ।”

ନେନ୍ତ୍ର ହସ୍ତ ଠାରି କହି ଆଦର ବଚନ,

ଅକ୍ଷୟ ଜ୍ଞାନର ଦ୍ୱାର କର ଉଦ୍‌ଘାଟନ ।

“ଅନନ୍ତ ବିସୁତ ଏ ଯେ ଜ୍ଞାନ–ପାରାବାର,

ମନ୍ଥି ଜ୍ଞାନରତ୍ନ ସୁତ କର ରେ ଉଦ୍ଧାର ।”

 

ଯେଉଁ ଜ୍ଞାନ–ଭକ୍ତି–ପୁଣ୍ୟ–ବୀଜକୁ ବପନ

କର ଶିଶୁପ୍ରାଣକ୍ଷେତ୍ରେ, ତହିଁରୁ ଉତ୍ପନ୍ନ

ବିରାଟ ଚରିତ୍ର–ବୃକ୍ଷ, ଯହିଁ ପ୍ରାଣିଗଣ

କରନ୍ତି ତା ଛାୟାତଳେ ତା ଫଳ ଭକ୍ଷଣ ।

ପୀୟୁଷପ୍ରତିମ ସେହି ଫଳ ଖାଇ ଜନେ

ଆନନ୍ଦରେ ପଥ ଯାନ୍ତି ଘୋର ଭବବନେ ।

ଯେବେ ପାପକାଳକୂଟ ଢାଳିଦିଅ ମନେ,

ସେ ବିଷ ନ ଝଡ଼େ ଆଉ ସନ୍ତାନ ଜୀବନେ ।

ରୋଗ ମୃତ୍ୟୁ ପାପ ତାପ ହସ୍ତୁଁ କୋଟିବାର,

ନିଶି ଜାଗି ଜୀବେ ମାତଃ କର ଗୋ ଉଦ୍ଧାର ।

ଅନ୍ତିମ ମୁହୂର୍ତ୍ତେ କରି ସେ ଅଙ୍କେ ଶୟନ

କରେ ପ୍ରାଣୀ ଦେବି, ଶେଷେ ନେନ୍ତ୍ର ନିମୀଲନ ।

ଦିଅ କୌଶଲ୍ୟା, ସୁମିତ୍ରା, ସୁଭଦ୍ରାଙ୍କ ପରି,

ପୁତ୍ର ଶ୍ରୀରାମ, ଲକ୍ଷ୍ମଣ, ଅଭିମନ୍ୟୁ ସରି ।

 

ନରର ଅର୍ଦ୍ଧାଙ୍ଗଭୂତା ରମଣୀ ସୁନ୍ଦରୀ,

ହୁଅ ତା ସହଧର୍ମିଣୀ ତା ପ୍ରେୟ ଆଚରି ।

ଗୃହଲକ୍ଷ୍ମୀ ହେ ଅଙ୍ଗନା ଦେବୀ ଅନ୍ନପୂର୍ଣ୍ଣା

ଅପନୋଦ ମାନବର ଘୋର କ୍ଷୁଧା ତୃଷ୍ଣା ।

ତୋ ନୟନବିଭା ଯହିଁ ପତିତ ଅବଳା,

ସ୍ୱର୍ଗଲକ୍ଷ୍ମୀ ଖେଳେ ତହିଁ ଘେନି ଷୋଳକଳା ।

ତୋ କଟାକ୍ଷ ଲାଭ ଆଶେ ପ୍ରେମମୟୀ ନାରି,

ହୁଏ ଭୀରୁ କାପୁରୁଷ ବୀର ଧନୁର୍ଦ୍ଧାରୀ ।

ଯୁଗେ ଯୁଗେ ଦେଶେ ଦେଶେ ନାରୀ ପତିବ୍ରତା,

ଜନମି ପ୍ରଚାର ବିଶ୍ୱେ ପ୍ରେମ ପବିତ୍ରତା ।

ତବ ପ୍ରେମେ ହୁଏ ମାତଃ ପ୍ରାଣିର ଉତ୍ପତ୍ତି,

ତବ ପ୍ରେମେ ହୁଏ ଭବେ ଜୀବର ସଂସ୍ଥିତି ।

ଲକ୍ଷ୍ମୀରୂପେ ବିଷ୍ଣୁପତ୍ନୀ କ୍ଷୀରସିନ୍ଧୁଜଳେ,

ଚରଣ ମାଞ୍ଚଳ ବସି ପତିପଦତଳେ ।

ସତୀରୂପେ ଦକ୍ଷଯଜ୍ଞେ ଶିବ–ଅପମାନ

ନ ସହି ବହ୍ନିରେ ଦେଲ ତନୁ ବିସର୍ଜନ ।

 

ଗିରିରାଜ–ଗୃହେ ପୁଣି ପାର୍ବତୀ ସୁନ୍ଦରୀ

ପ୍ରତ୍ୟାଖ୍ୟାତା ହେଲ ତପୀ ଶଙ୍କରଙ୍କୁ ବରି ।

ଅଦ୍ଭୁତ ତପଶ୍ଚରଣ କଲ ପ୍ରେମଶାଳା,

ସେ ଅପୂର୍ବ ତପେ ଶିବ–ଆସନ ଟଳିଲା ।

ହର–ଅଙ୍କେ ରହି ଗୌରୀ ଅର୍ଦ୍ଧାଙ୍ଗରୂପରେ

ପ୍ରୀତିର ଗରିମା ପ୍ରଚାରୁଚ୍ଛ ଜଗତରେ ।

ସାବିତ୍ରୀରୂପରେ ସତ୍ୟେ ସତ୍ୟବାନ–ନାରୀ

ପାତିବ୍ରତ୍ୟ–ଧର୍ମ ଗଲ ମହୀରେ ପ୍ରଚାରି ।

ଯେ ସତୀତ୍ୱେ ନିଜେ ଯମ ହୋଇ ଲଣ୍ଡଭଣ୍ଡ

କଲେ ପ୍ରତ୍ୟାଖ୍ୟାନ ମହାଭୀମ କାଳଦଣ୍ଡ ।

ସତ୍ୟଯୁଗେ ନଳପ୍ରାଣା ଦମୟନ୍ତୀ ସତୀ

ପତିସଙ୍ଗେ ଘୋର ବନେ କଲ ଗୋ ବସତି ।

 

 

ତେଜୁଁ ସ୍ୱାମୀ ଆକ୍ରମିଲା ବର୍ବ୍ବର ଶବର,

ସାଧ୍ୱୀ–ଦର୍ପେ ସେ ଲମ୍ପିଟେ କଲ ଜରଜର ।

ତ୍ରେତା ଯୁଗେ ରାଜ–ଋଷି ଜନକ–ଭବନେ

ଜନ୍ମିଲ ଜାନକୀରୂପେ ଅତୁଳ ଲାବଣ୍ୟେ ।

ପତି ସଙ୍ଗେ ରଘୁବଧୂ ଭ୍ରମିଣ କାନନେ

ପ୍ରୀତି–ଜୟ–ବାନା ଉଡ଼ାଇଲ ତ୍ରିଭୁବନେ ।

ପଞ୍ଚବଟୀ ବନୁ ଲଙ୍କାନରେଶ ରାବଣ

ହରି ନେଇ ଦେଖାଇଲା ଭୟ ପ୍ରଲୋଭନ ।

ସେ ସକଳେ ତୁଚ୍ଛ କରି ଶ୍ରୀରାମ–ବନୀତା,

ସୁରନରେ କରାଇଲ ସତୀତ୍ୱେ ବନ୍ଦିତା ।

ବଶିଷ୍ଠସହଧର୍ମିଣୀ ଅରୁନ୍ଧତୀ ନାରୀ

ପାତିର୍ବତ୍ୟ–ଧର୍ମ ଗଲ ମହୀରେ ପ୍ରଚାରି ।

ଦ୍ୱାପରେ ହସ୍ତିନା–ରାଣୀ ସୁଶୀଳା ଗାନ୍ଧାରୀ

ଅନ୍ଧ ସ୍ୱାମୀ ପାଇଁ ହେଲ ନିଜେ ଅନ୍ଧ ନାରୀ ।

 

କଳିଯୁଗେ ରାଜସ୍ଥାନେ ଭୀମସିଂହ–ନାରୀ

ଲାବଣ୍ୟମୟୀ ପଦ୍ମିନୀ ତ୍ରିଦିବ–ସୁନ୍ଦରୀ

କାମାତୁର ଯବନର ଦୁର୍ଗେ ଯାଇ ପଶି

ତାରିଲ ସ୍ୱପତି ତହୁଁ ଅବଳା ରୂପସୀ ।

ମାତୃଭୂମି ପାଇଁ ବୀରଙ୍ଗନା ଦୁର୍ଗାବତୀ

ସମ୍ମୁଖ–ସମରେ ପ୍ରାଣ ସମର୍ପିଲ ସତୀ ।

ଦୁହିତାରୂପରେ ନାରି ଋଷିଜନ ଘରେ

ଗୋଦାହନ କରିଥିଲ ବୈଦିକ ଯୁଗରେ ।

ପୁରାକାଳେ ରୋମ–ରାଜ୍ୟେ ସାଇମନ ବୃଦ୍ଧ

ନୃପାଦେଶେ ହୋଇଥିଲା କାରାଗାରେ ରୁଦ୍ଧ ।

ତନୟା ଜାନ୍ଥିପୀରୂପେ ବୃଦ୍ଧପିତା–ପ୍ରାଣ

ରଖିଲ ଗୁପତେ ଦେଇ ସ୍ତନଦୁଗ୍‌ଧ ଦାନ ।

ଜ୍ଞାନେ ଗାର୍ଗୀ, ମଇତ୍ରେଇ, ଖନା, ଲୀଳାବତୀ,

ଲଡ଼ାଇଛ ନାରୀ–ପ୍ରତିଭାର ବୈଜୟନ୍ତୀ ।

 

ହେ ନାରୀ ! ମିନତି ମୋର ତବ ଶ୍ରୀପୟରେ—

ଦେଖା ଦିଅ ମୋତେ ସତୀ–ସାଧ୍ୱୀ–ସ୍ୱରୂପରେ ।

ରମଣୀ ସୁନ୍ଦରୀ ଦେଖି ତୋ ଅସତୀ–ବେଶ

ପ୍ରାଣୁ ଯାଏ ସୁଖ, ଭବ ଦିଶେ ମରୁଦେଶ ।

ସୀତା ସାବିତ୍ରୀଙ୍କ ରୂପେ ଗୃହେ ଗୃହେ ରହି

ସର୍ବସମ କର ନାରି ! ଏ ତୁମ୍ଭର ମହୀ ।

 

ନର-ନାରୀ

“The woman’s cause is man’s : they rise or sink

Together; dwarfed or godlike, bond or free

Not like to like, but like in difference.”

—Tennyson.

ବୁଦ୍ଧି–ଭାଗବୃତ୍ତି–ଇଚ୍ଛା–ଦେଇ ବିଶ୍ୱସାଇଁ;

ରମଣୀ ପୁରୁଷେ ଛନ୍ତି ଜଗତେ ପଠାଇ ।

ସମାଜରେ ପୁରୁଷକୁ କ୍ଷମା ଶତଗୁଣ,

ଥିଲେହେଁ ସହସ୍ର ଦୋଷ ରଟେ ତାର ଗୁଣ ।

ରମଣୀର ଶତଗୁଣ ଲୁଚେ ଦୋଷସ୍ତୋକେ

ବିଷମ–ଅସାମ୍ୟ–ରାଜ୍ୟ ଏ ଭାରତଲୋକେ ।

ନାରୀ ଯେବେ ହେବ ସର୍ବଗୁଣେ ବିଭୂଷିତା,

ଉଚିତ ହେବାର ତାର ବିଶେଷ ଶିକ୍ଷିତା ।

ଦୁର୍ବଳ ମନୁଷ୍ୟ ମନ ରିପୁବିକ୍ଷୋଭିତ

ଶିକ୍ଷାଧର୍ମ–କବଚରେ ବେଢ଼ିବା ଉଚିତ ।

ପଶୁସମ ମୂର୍ଖଭାବେ କରିଣ ବର୍ଦ୍ଧିତ

କହୁଛ ନାରୀଙ୍କୁ “ହୁଅ ଧର୍ମେ ବିମଣ୍ଡିତ ।”

ସ୍ୱଦେଶୀୟ ଭ୍ରାତୃବୃନ୍ଦ ! ଏହା କେଉଁ ନୀତି,

ଫାଟେ ବକ୍ଷ ଦେଖି ତବ ଅପରୂପ ରୀତି ।

 

ଭାଗିନୀଙ୍କୁ ଜ୍ଞାନ ଧର୍ମ କର ଭାଇ ଦାନ,

ସଙ୍ଗେ କରେ ସୁଚରିତ୍ର–ପ୍ରହରୀ ପ୍ରଦାନ ।

ଘଟିବ ପ୍ରମାଦ ଯେବେ ହୋଇ ସାବଧାନ

ସମ୍ଭାଳିବେ ନିଜ ସୃଷ୍ଟି ପ୍ରଭୁ ଭଗବାନ ।

ସତ୍ୟ ନ୍ୟାୟ ଜୟୀ ହେବ ଜାଣିବ ନିଶ୍ଚୟ,

ଅଛି ପାପ–ଘୋରଦଣ୍ଡ କର ନାହିଁ ଭୟ ।

ପାପୀ ହୋଇ କେହି କେବେ ପାଇ ନାହିଁ ସୁଖ,

ପାପୀୟସୀ ନାରୀ ଭୋଗେ ନରକର ଦୁଃଖ ।

“ଯତୋଧର୍ମସ୍ତତୋଜୟଃ” କରିଣ ବିଶ୍ୱାସ,

ସ୍ୱକର୍ତ୍ତବ୍ୟ ବଞ୍ଚିତ ହେବେ ରମଣୀ ନିକର

ଏ ଉଦ୍ଦେଶ୍ୟ ଥାନ୍ତା ଯେବେ ବିଶ୍ୱପତିଙ୍କର ।

ମାନସିକ ବୃତ୍ତି କିମ୍ପା ଦେଲେ ତାଙ୍କୁ ତେବେ ?

ନରଠାରୁ ନାରୀ ବୁଦ୍ଧି ନୁହେ ନ୍ୟୂନ କେବେ ।

ଦେଇଛନ୍ତି ବିଶ୍ୱକର୍ତ୍ତା ତାଙ୍କୁ ଇଚ୍ଛାଜ୍ଞାନ,

ବିକାଶ ନିମନ୍ତେ କର ସୁଯୋଗ ପ୍ରଦାନ ।

 

ଏତେ କାଳ ରମଣୀଙ୍କୁ ଶାରୀରିକ ବଳେ

ରଖିଅଛ ଅଜ୍ଞାନତା–କରାଳ କବଳେ ।

ସୁବିଧା ସହାୟ ଯେହୁ ଯେହୁ ପାଇଛନ୍ତି,

ଉଡ଼ୁଅଛି ତାଙ୍କ ଜ୍ଞାନ–ଜୟ–ବୈଜୟନ୍ତୀ ।

ଆତ୍ରେୟୀ ମୈତ୍ରେୟୀ ବିଶ୍ୱବାରା ଲୀଳାବତୀ,

ଖନା ଦୁର୍ଗାବତୀ ଲକ୍ଷ୍ମୀବାଈ ଶକ୍ତିମତୀ,

କୋବିଦ–ସମାଜେ ଅବା ଆହବ ଅଙ୍ଗନେ

ଜୟମାଲ୍ୟ ପାଇଛନ୍ତି ଜ୍ଞାନୀ–ବୀର–ବନେ ।

ସମାନେ ସମାନେ ସିନା ପୀରତି ମଧୁର,

ନିକୃଷ୍ଟ ଜନରେ ପ୍ରେମ ହୁଏ ଶୀଘ୍ର ଜର ।

ଦିଅ ଶିକ୍ଷା ସ୍ୱାଧୀନତା ସୀମନ୍ତିନୀଗଣେ,

ଭୁଞ୍ଜିବ ଅତୁଳ ସୁଖ ପ୍ରେୟାସୀ ଗହଣେ ।

 

ସ୍ୱାଧୀନେ ସ୍ୱେଚ୍ଛାରେ ଦତ୍ତ ପୀରତି ଅନ୍ତର,

ଅବନୀ ମଧ୍ୟରେ ତାର ନାହିଁ ପଟାନ୍ତର ।

ଦାସୀରୂପେ ନୀତା ଭୟସ୍ତବ୍‌ଧା ଅଧୀନୀର

ବାହ୍ୟ ପ୍ରେମ ବିଷକୁମ୍ଭ ମୁଖେ ଯାର କ୍ଷୀର ।

ବୁଦ୍ଧିମତୀ କାମିନୀର କ୍ଷଣକର ପ୍ରେମ,

ଅଜ୍ଞାନ ନାରୀର କୋଟି ବର୍ଷ ପ୍ରେମ ସମ ।

ଅନନ୍ତ–ଉନ୍ନତି–ଶିଶୁ ମାନବ ମାନବୀ

ଶିକ୍ଷା ଚିତ୍ରି ଦିଏ ତାଙ୍କ ମୁଖେ ଦିବ୍ୟ ଛବି ।

ଜ୍ଞାନ–ବୃକ୍ଷ–ଫଳୁଁ କରି ଅଙ୍ଗନା ବଞ୍ଚିତ

ଆତ୍ମହତ୍ୟା–ପାପେ ନରେ ନୁହ କଳଙ୍କିତ ।

ପିତା ମାତା ଗୁଣ ଦୋଷେ ହୋନ୍ତି ନର ନାରୀ

ବୈଜ୍ଞାନିକ–ବିଧି–ବଳେ ଉତ୍ତରାଧିକାରୀ *।

 

ଅଶିକ୍ଷିତା ଅନୁନ୍ନତା ରମଣୀ ଉଦରେ

ଜନ୍ମିବେ କି ଜଗଜ୍ଜୟୀ ଗୁଣୀ ନାରୀ ନରେ ?

ଆଗହୁଁ ଜନନୀ ଥିଲେ ଗୁଣ ବିଦ୍ୟାବତୀ

ଶୈଶବୁଁ ପାଇବେ ଶିକ୍ଷା ସନ୍ତାନ ସନ୍ତତି ।

ସମ ଅଧିକାର ହେଲେ ନାରୀର ସମାଜେ

ପୁରୁଷକୁ ବାଧା ଦେବେ ନାରୀ ପାପ କାର୍ଯ୍ୟେ ।

ପୁରୁଷ ତପସ୍ୱୀ ନାରୀ ତା ସହଧର୍ମିଣୀ,

ହରଗୌରୀ ଯୁଗ୍ମ–ଅଙ୍ଗ ଗୃହସ୍ଥଗୃହିଣୀ ।

 

ନାରୀଶିକ୍ଷା

ପୁରୁଷ–ସହଧର୍ମିଣୀ ଅର୍ଦ୍ଧାଙ୍ଗ ଅଙ୍ଗନା

ଆହା କି ଘୋର ଅଜ୍ଞାନ–ତିମିରେ ଆଚ୍ଛନ୍ନା ।

ନର ଉଚ୍ଚଶିକ୍ଷାପ୍ରାପ୍ତ ଉଚ୍ଚଚିନ୍ତାରତ,

ନାରୀ ନିରକ୍ଷରା କ୍ଷୁଦ୍ର ବିଷୟେ ଆସକ୍ତ ।

 

ବିଜ୍ଞାନ ଦର୍ଶନେ ନର ସତତ ମୋହିତ,

ନାରୀ ପ୍ରତିବେଶୀ ସହ କଳହରେ ଲିପ୍ତ ।

ଜ୍ଞାନ ପ୍ରେମ କର୍ମ କ୍ରୟେ ଆଦାନ ପ୍ରଦାନ

ମାନବ ମାନବୀ ମଧ୍ୟେ ମିତ୍ରତାନିଦାନ ।

ସତ୍ୟ, ନର ନାରୀ କର୍ମ କ୍ଷେତ୍ର ଅଟେ ଭିନ୍ନ,

ମାନସୀ ଶକ୍ତିରେ କିନ୍ତୁ ବେନିଏ ଅଭିନ୍ନ ।

ନର କାର୍ଯ୍ୟକ୍ଷେତ୍ର ଅଟେ କଠୋର ସଂସାର,

ନାରୀ କର୍ମଭୂମି ମଧୁମୟ ପରିବାର ।

ଜ୍ଞାନ କିନ୍ତୁ ବେନିଙ୍କର ସମ ଆବଶ୍ୟକ,

ଦୁହିଁଙ୍କୁ ଦୁଶପେଦ୍ୟସଖ୍ୟବନ୍ଧନକାରକ ।

କି କୁକ୍ଷଣେ କେଉଁ ଭୀରୁ କରିଲା ପ୍ରଚାର—

ନାରୀଶିକ୍ଷା ଅଟେ ମହା–ଅଶୁଭ–ଆଶାର ।

ଏ ଉତ୍‌କଳେ ଥିଲା ଯାହା ସନାତନ ପ୍ରଥା

କେଉଁ କାପୁରୁଶ ତାର ଭାଙ୍ଗି ଦେଲା ମଥା ।

 

ନାରୀଶିକ୍ଷା ଅଟେ ମହାମଙ୍ଗଳ–ନିଦାନ,

‘ପାରିଜାତମାଳା’ ତାର ଜ୍ୱଳନ୍ତ ପ୍ରମାଣ ।

ଉତ୍କଳ ତନୟା କବି ‘ମାଳତୀ’ ରମଣୀ

ବୈଦେଶିକ ବଙ୍ଗଭାଷେ ଥିଲେ କାବ୍ୟ ଭଣି ।

କ୍ଷତ୍ରିୟ–କରଣ–ଗୃହେ ଅଦ୍ୟାପି ଅଛନ୍ତି

କାବ୍ୟ–କୁଞ୍ଜ–ବିହାରିଣୀ ସୀମାନ୍ତିନୀ ସତୀ ।

ଏହା ଦେଖି କେଉଁ ଅନ୍ଧ କରେ ଆସ୍ଫାଳନ—

ନାରୀଶିକ୍ଷା ଅସତୀତ୍ୱ–ବୈଧବ୍ୟ–କାରଣ

କିନ୍ତୁ ନୀତି–ଧର୍ମ–ହୀନ ନିରୀଶ୍ୱର ଜ୍ଞାନ

ଅଟଇ ବିପଦ–ପାପ ଦୁଃଖର ନିଦାନ ।

 

ବାଳବିଧବା

ଶୁଣ ଶୁଣ ଆରେ ଆର୍ଯ୍ୟ କୁଳାଙ୍ଗାର ହିନ୍ଦୁ,

ପ୍ରାଣେ ତୋର ନାହିଁ କି ରେ କରୁଣାର ବିନ୍ଦୁ

ଫେଡ଼ି କୃପା–ନେତ୍ର ବାରେ ଚାହାଁରେ ନିର୍ଦ୍ଦୟ,

ନାହିଁ ପ୍ରାଣେ ନ୍ୟାୟ–ବୁଦ୍ଧି, ନାହିଁ ଧର୍ମ ଭୟ ?

ନର–ଗଳାରତ୍ନହାର ନାରୀ ସୁକୁମାରୀ

କି ଘୋର ଯାତନା ଦେଉ ପରାଣେ ତାହାରି ।

କି ନୃଶଂସ ହୃଦ ତୋର କାପୁରୁଷ ନର

ପୁରୁଷତ୍ୱ ନାହିଁ କିରେ ଅନ୍ତରେ ତୋହର ?

ସ୍ତିରୀ–ଦୁଃଖ ନ ସହଇ ପୁରୁଷ–ପରାଣ,

ପଶୁ–ପକ୍ଷୀ ଦିଅନ୍ତି ରେ ଏହାର ପ୍ରମାଣ ।

ଶ୍ରେଷ୍ଠ ଜୀବ ନର ପରା ଜଗତେ ପ୍ରସିଦ୍ଧ,

ନାରୀ–ଦୁଃଖ–ଶେଳେ ବକ୍ଷ ନୁହେଁ କିପାଁ ବିଦ୍ଧ ?

ଫେଡ଼ି ଫେଡ଼ି ନାରୀ–ଦୁଃଖ ଉଦାସ ରହ ନା,

ଜି ବିଷାଦ–ମୂର୍ତ୍ତିବାଳ ବିଧବା ଲଳନା ।

 

ବୃଦ୍ଧବିବାହ

ପିତାମହବର୍ଷୀ ବୃଦ୍ଧ ହେଲେ ବିପତ୍ନୀକ,

ସପ୍ତମବର୍ଷୀୟା କରେ ବିବାହ ରସିକ ।

ଯୌବନରେ ରୂପ–ତୃଷ୍ଣା ନିସର୍ଗ–ନିୟମ,

ବୟସ, ବାସନା, ଏଥି ସକଳ ବିଷମ ।

ବିଳାସ–ବାସନା ନବ ତରୁଣୀର ମନେ,

ବିରକ୍ତ ନୀରସ ବୃଦ୍ଧ ଜରା–ଆକ୍ରମଣେ ।

ସୁନ୍ଦରୀ ନବୀନା ପାଏ ଉଦ୍ଦ୍ୟମ ଯୌବନ,

ଭବସିନ୍ଧ–ଅର୍ଦ୍ଧେ ବୃଦ୍ଧ ନୀର–ନିମଗନ ।

 

କେ ବାଳିକା କାହାର ବା ଯୌବନ ପ୍ରଥମ,

ତଥାପି ତାହାର ନାହିଁ ବିବାହ–ନିୟମ ।

ବୃଦ୍ଧକୁ ବିବାହ–ବିଧି, ବାଳିକାକୁ ନାହିଁ ।

କେଉଁ ନ୍ୟାୟ–ନୀତି ଏହା ସାମାଜିକ ଭାଇ ।

ଏସନ ବୈଷମ୍ୟପୂର୍ଣ୍ଣ ଯେବଣ ସମାଜ,

ସଂସ୍କାର ନ କରି ଜୟ ଗାଅ, ନାହିଁ ଲାଜ ?

 

ଏକତା

ଧନ୍ୟ ଗୋ ଏକତା ମହିମା ତୋର

ବର୍ଣ୍ଣିତା ପାରେ କି ଲେଖନୀ ମୋର

ନର ଯେବେ ତୋତେ ପାଇ ନ ଥାନ୍ତା,

ଆଜି ତା ଅବସ୍ଥା କି ହୋଇଥାନ୍ତା ।

ସତ୍ୟ–ନ୍ୟାୟ–ଭେରି

ଶୁଣୁ ନ ଥାନ୍ତା ସେ ଶ୍ରବଣ ଡେରି ।

 

 

ଘୋର ଅତ୍ୟାଚାର ହେଲେ ପ୍ରବଳ,

ଐକିକ ବୀରତ୍ୱ ଯହିଁ ନିର୍ବଳ

ତୁହି ଗୋ ଉଡ଼ାଇ ଧର୍ମର ଧ୍ୱଜା

ଦୁଷ୍ଟ ମାରି ପାଳୁ ସନ୍ଥ ପରଜା,

ଯାଏ ପାପରାଶି,

ସାମ୍ରାଜ୍ୟ କରେ ଶାନ୍ତି ସୁଖେ ଆସି ।

 

ଆର୍ଯ୍ୟକୁଳ ଯେବେ ଭାରତେ ଆସି

ହୋଇଲେ ଶତଦ୍ରୁ ତଟନିବାସୀ,

ଅନାର୍ଯ୍ୟ ବିପକ୍ଷେ ବିଷମ ରଣେ

ସହାୟ ହେଲୁ ତୁ ସେ ଆର୍ଯ୍ୟଗଣେ,

ତୋ ଜୟ–ଗାୟନ

ଗାନ କଲେ ବୈଦିକ ଋଷିଗଣ ।

 

ଯଦୁ, ବିରାଟ, ପଞ୍ଚାଳ, ପାଣ୍ଡବ

ଭୀଷଣ ଆହବେ ମାରି କୌରବ

ମହୀରେ ଘୋଷିଲେ ନ୍ୟାୟମହିମା,

ଗୀତେ ଗାଇଲେ ଯା ବ୍ୟାସ ମଣିମା,

ପାର୍ଥେ କର ରାଜା

ବଜାଇଲୁ ଧର୍ମ–ବିଜୟ–ବାଜା ।

 

କିସ୍କିନ୍ଧ୍ୟା ନଗରେ ବୈଦୋହୀନାହା

ସାଧୁ ସୁଗ୍ରୀବଙ୍କୁ ହୋଇଲେ ସାହା,

ପାପୀ ଅତ୍ୟାଚାରୀ ବାଳିକୁ ମାରି,

ଅଧର୍ମରୁ କପି ରାଜ୍ୟ ଉଦ୍ଧାରି,

ମିତ୍ରେ ଅଭିଷେକ

କରି, ପ୍ରଚାରିଲେ ତୋହରି ଟେକ ।

 

ମାୟାବଳେ କଲା ଲଙ୍କା–ରାବଣ

ଦଣ୍ଡକ ବିପିନୁ ସୀତା ହରଣ,

ରଘୁବୀର ଯହୁଁ କାତର ହେଲେ,

ତୋତେ କି ଗୋ ଦେବେ ପଠାଇଦେଲେ

ଦୈତ୍ୟନାଶ ପାଇଁ,

ଅସମର୍ଥ ଯହିଁ ବୈଦେହୀ ସାଇଁ ?

 

ବିଭୀଷଣ ସହ ସୁଗ୍ରୀବ ରାଏ,

ହନୁମାନ ସହ କପିସେନାଏ,

ତ୍ରିଦିବଦେବତା ରାମ ଲକ୍ଷ୍ମଣ

ନାଶିଲେ ରାବଣ ହୋଇ ମିଳନ;

ବାଲମୀକି ଯାହା

ଗାଇଲେ, ତୋ ଯଶ ନୁହେ କି ତାହା ?

 

ଯା ଯୋଗୁଁ ଜଗତେ ମଙ୍ଗଳ ଯେତେ,

ତାର ଅପଚୟ ହୁଅଇ ସେତେ,

ଦେଖ ଯେ ଏକତା ଶୁଭ–ଆଧାର,

ସେହି ପୁଣି ହୁଏ ବିଷ–ଭଣ୍ଡାର,

‘ଠକ’ ଦସ୍ୟୁଦଳ

ନ କଲେ ଭାରତେ କି ଗଣ୍ଡଗୋଳ !

 

ଜୟସିଂହ ଓ ଭଗ୍ନମନ୍ଦିର

ପ୍ରବଳ ପ୍ରତାପ ସମ୍ରାଟ–ପ୍ରେରିତ

ଜୟସିଂହ ଏ ଉତ୍କଳେ

ଆସିଥିଲେ ଯେବେ ବିଜୟ–ଯାତ୍ରାରେ,

ଦେଖିଲେ ନିର୍ଜନ ସ୍ଥଳେ ।

 

କହିଲା ପୁରାଣ ବିଜୀର୍ଣ୍ଣ ଦେଉଳ

ନୀରବ ବାଣୀ ନିର୍ଜନେ,

ଶୁଣିଲେ ବିଜେତା ବୀର ଜୟସିଂହ

ସେ ଭାଷା ଡେରି ଶ୍ରବଣେ ।—

 

“ଚାଲ ମୃଦୁ ମନ୍ଦ ବୀର ଜୟସିଂହ !

ମୋ ନୀରବ ବାକ୍ୟ ଶୁଣ,

ତୁମ୍ଭେ ଆର୍ଯ୍ୟସୁତ, ଏହା ଆର୍ଯ୍ୟଦେଶ

ନୁହ ଉଦ୍ଧତ ଦାରୁଣ ।

 

ଏ ଉତ୍କଳ ତୁମ୍ଭ ରାଜସ୍ଥାନ ପ୍ରାୟ

ଥିଲା ବୀରର ଜନନୀ,

କାଳବଳେ ସେହି ରାଜସ୍ଥାନ ସମ

ପଡ଼ି ଯାଇଅଛି ଧନୀ ।

 

କେତେ ଶୂରବୀରେ ଏହି ଉତ୍କଳରେ

ଜନ୍ମିଥିଲେ ବୀରମଣି,

ସୈକତ–ସିକତା–ସଂଖ୍ୟାସମ ତାହା

ନ ପାରିବ କେହୁ ଗଣି ।

ବିଜୟ–ପ୍ରମାଶେ ଉତ୍କଳୀୟ ବୀରେ

ଦଶଦିଗରେ ବାହାରି,

ଗଙ୍ଗା ଗୋଦାବରୀ—ନୀରଧି ନର୍ମଦା

ସୀମାକୁ ଥିଲେ ବିସ୍ତାରି ।

ଚଉଡ଼ କର୍ଣ୍ଣାଟ ତାମ୍ରଲିପ୍ତି କାଞ୍ଚୀ

ସେତୁବନ୍ଧ ରାମେଶ୍ୱରେ

ପ୍ରୋଥିତ କଲେକ ଜୟବୈଜୟନ୍ତୀ

ଏହି ଉତ୍କଳୀୟ ବୀରେ ।

ପ୍ରତିଭା ବଳରେ ଉତ୍କଳୀୟ ଶିଳ୍ପୀ

ଅଗଣ୍ୟ ସେତୁ ମନ୍ଦିର

ସ୍ଥାପିଥିଲେ ଦେଶ ସକଳ–ଅଂଶରେ,

ଦେଖୁଅଛ ତାହା ବୀର ।

 

ଅସଂଖ୍ୟ ଦେଉଳ ବିଧର୍ମୀ ବିଜେତା

କଲେଣି ଭୂତଳଶାୟୀ,

ବିଜିତା ଲୁଣ୍ଠିତା ଅବୀରା ଭୂମିର

ବାଧାଦାନେ ବଳ ନାହିଁ ।

ନିଶି ଦିବା ବାବୁ, ଏ ଉତ୍କଳ ଧରା

କାନ୍ଦୁଛି ମହାବିକଳେ,

ଲୋହିତଲୋତକ ହାହାକାର ଧ୍ୱନି

କ୍ଷରେ ବିହାୟସ–ତଳେ ।

ପ୍ରତି ଯବ ଭୂମି ବୀରରକ୍ତେ, ବୀର,

ହୋଇଅଛି ସିକ୍ତ ପୂତ,

ବିଧର୍ମୀ ସମାନ ଭ୍ରାତୃ ଭଗ୍ନୀ ବଧ

ନ କର ଭଗିନୀସୂତ ।

 

ଜଡ଼–ଉଦ୍ଭିଦରେ ପଶୁପକ୍ଷୀଠାରେ

ଅଥବା ମାନବପ୍ରାଣେ,

ଜନ୍ମିଲେ ମରଇ ନିଶ୍ଚେ ସୃଷ୍ଟ ବସ୍ତୁ

ବିଧି ଅଟଳ ବିଧାନେ ।

ଦିଗ୍‌ବିଜୟୀ ମହାବୀର ସେକନ୍ଦର

ଜୟ କଲେ ଏହି ମହୀ,

ନାହାନ୍ତି ସେ, ଭବ–ଭଙ୍ଗୁରତା–ସାକ୍ଷୀ

ତାଙ୍କ କଥା ଅଛି ରହି ।

ଏ ଭାରତେ ଆସି ସେକନ୍ଦର ସାହ

କଲେ ବିଜୟ ବିସ୍ତାର ,

ତାଙ୍କ ନିଜ ଦେଶେ ଆନ କେଉଁ ଜାତି

କରିଅଛ ଅଧିକାର ।

କେତେ କେତେ ଜାତି ଏହି ଭାରତରେ

ପୋତିଲେ ବିଜୟଧ୍ୱଜା,

ତାଙ୍କ ବଂଶଧରେ ପରାଜିଣ ଆନେ

ହେଲେ ତାଙ୍କ ଦେଶେ ରଜା ।”

 

ଜୀର୍ଣ୍ଣ ଦେଉଳରେ ଏ ନୀରବ ବାଣୀ

ଜୟସଂହ ବୀର ଶୁଣି

ସୁନିୟମ ସ୍ଥାପି ବିଜିତ ନରେଶେ

ଦେଇ ଗଲେ ରାଜ୍ୟ ପୁଣି ।

 

ବୀରତ୍ୱ

ଯଶ–ଲାଳାୟିତ ଗର୍ବିତ ନର

ଅଧର୍ମପଥକୁ ନ ରଖି ଡର,

ବୁଣି ଏ ମହୀରେ ବିଗ୍ରହ–ମଞ୍ଜି

ଶାନ୍ତି–କୃଷିବଳେ ଦିଅଇ ଗଞ୍ଜି ।

 

ହାହାକାର ଶୁଭେ ଏ ଧରାଦେଶେ

ତଟସ୍ଥେ ସକଳେ ରହନ୍ତି ଶେଷେ ।

ଦିବେ ଧୂମକେତୁ ଚଳାଏ ପୁଚ୍ଛ,

ସଘନେ ଖସଇ ଉଲ୍‌କାର ଗୁଚ୍ଛ,

ଦିନେ ଶିବାପଲ ଛାଡ଼ନ୍ତି ରଡ଼ି,

ବିନା ମେଘେ ରଡ଼େ ଖେ ଘଡ଼ଘଡ଼ି;

ରଡ଼ି ବାଡ଼ି ବାଡ଼ି ଉଡ଼ି ପେଚକ

ନିରତେ ଗୃହସ୍ଥେ ଦିଅଇ ଦକ;

ବର୍ଷୀୟସୀ ନାରୀ ମୁଖେ ଅନାଇ

ଡାମରା କୁଆଟା ହୁଏ ଖତାଇ;

ନିଶୀଥେ ଆଶ୍ରିଣ ବାଉଁଶବୁଦା

କୁହାଟିଣ ଭୂତେ ମାରନ୍ତି କୁଦା,

ପାହୁଁ ବିଭୀଷିକାମୟୀ ରଜନୀ

ପ୍ରଭାତେ ଶୁଭଇ ପ୍ରଳୟଧ୍ୱନି;

ଅସ୍ତ୍ରର ଝଣ୍‌ଝଣା ରେ ରେ ନିର୍ଘୋଷ,

କାର୍ମୁକଟଙ୍କାର ଘର୍ଘର ଘୋଷ,

 

ବୃଂହିତ ଶବଦ ହ୍ରେଷା ନିନାଦ,

କ୍ରୁର କିଳିକିଳା ହୁଙ୍କାର ନାଦ !

ଗହଳେ ବାଜିଣ ବିଜୟତକ୍‌କା

ସରୋଷେ ଶାନ୍ତିକୁ ଦିଅଇ ଧକ୍‌କା;

ଦର୍ପେ ବୈଜୟନ୍ତୀ ଉଡ଼ଇ ଉଚ୍ଚେ,

ତା ଦେଖି ବିନୟ ସଲଜ୍ଜେ ଲୁଚେ;

ରେ ରେ ଡାକ ଛାଡ଼ି ଧାଏଁ ମରଣ,

ଦିଗ୍‌ବଳୟପାରେ ଲୁଚେ ଜୀବନ;

ହସି ଗୋଡ଼ାଇଣ ତାକୁ ଦାରୁଣ

ତହିଁ ତାର ପ୍ରାଣ କରଇ ଚୂର୍ଣ୍ଣ;

ବ୍ୟଭିଚାର ବୁଲେ ହୋଇ ଉଲଙ୍ଘ,

ସଭୟେ ସତୀତ୍ୱ ଦିଅଇ ଭଙ୍ଗ;

 

ଶାନ୍ତିସହ ସୁଖ ପଳାଏ କାହିଁ,

ଅବିଳମ୍ବେ ଫେରି ଆସଇ ନାହିଁ ।

ଦୋଷୀ ନିର୍ଦ୍ଦୋଷର ନାହିଁ ପ୍ରଭେଦ,

ଅନ୍ୟାୟ ନ୍ୟାୟର ଯେଣୁ ଅଭେଦ;

ବିବାହ ଉତ୍ସବେ ଜଳଇ ଚିତା,

ନ ବର୍ତ୍ତନ୍ତି ବାଳ ବୃଦ୍ଧ ବନିତା;

ହାୟରେ ମାନବ ଏସନ କର୍ମ

କେଉଁ ନ୍ୟାୟେ ମଣୁ ବୀରତ୍ୱ ଧର୍ମ !

କାହାନ୍ତି ସିଜର ନେପୋଲିଅନ,

ଦିଗ୍‌ବିଜୟୀ ସେକନ୍ଦର ରାଜନ,

ନାହାନ୍ତି ତ ପମ୍ପି ଗାରିବାଲଦି,

ବାଦ ସାଧି କାଳ କରିଛି ରଦି !

କାହିଁ ଗ୍ରୀସ ରୋମ ପୂର୍ବ ପ୍ରତିଭା

ମିଶର ଭାରତ ପାରସ୍ୟ କିବା !

ଥିଲେ କିବା ଆଜ ହୋଇଛି କିସ,

ଏହି ତ ମାନବ–ବୀରତ୍ୱ–ଶେଷ !

ଏଥିପାଇଁ କିପାଁ ହୋଇ ଉନ୍ନତ୍ତ

ବିସୋର ମାନବ ଧର୍ମ ଶାଶ୍ୱତ ?

 

ମହାପୁରୁଷ

ପ୍ରାଚୀନ ଭାରତ ପୁଣ୍ୟର ଧାମ,

କୋଟି ସ୍ମୃତିପୂର୍ଣ୍ଣ ଯାହାର ନାମ,

ପବିତ୍ର ପୁରାଣ କୀରତିମୟ,

ଜ୍ଞାନ–କର୍ମ–ପ୍ରେମ–ଯୋଗ–ଆଳୟ,

ନିଜେ ଲୀଳାମୟ ହରି

ବ୍ରହ୍ମଜ୍ଞାନ ରତ୍ନଭଣ୍ଡାର ସ୍ୱରୂପେ

ବାଛିନେଲେ କୃପା କରି ।

 

ଜନକାଦି ଋଷି ଏ ଦେଶେ ଆସି

ଗଲେ ଆଦିଶାସ୍ତ୍ର ବେଦ ପ୍ରକାଶି,

ରାମାୟଣ ମହାଭାରତ ବ୍ୟାସ

ବାଲ୍ମୀକି ଏ ଦେଶେ କଲେ ପ୍ରକାଶ,

ସାଂଖ୍ୟାଦି ଷଡ଼ଦର୍ଶନ

କପିଳାଦି ଋଷି ଜନ୍ମି ଏହି ଦେଶେ

କରିଥିଲେ ପ୍ରଣୟନ ।

ମହାକର୍ମଯୋଗୀ ବୁଦ୍ଧ ଗୌତମ

ପ୍ରଚାରି ‘ଅହିଂସା ପରମଧର୍ମ,

ରିପୁନାଶ କର୍ମନିର୍ବାଣ ହେତୁ’,

ଉଡ଼ାଇଲପେ ସାମ୍ୟ ଗୌରବ–କେତୁ,

ରାମାନୁଜ ଶ୍ରୀଚୈତନ୍ୟ

‘ନାମେ ଭକ୍ତି ଜୀବେ ଦୟା’ ଉପଦେଶି

ଏହି ଦେଶେ କଲେ ଧନ୍ୟ ।

 

 

ପୁରାଣଗାୟକ ଶୁକ ସନକ,

ମନୁ ପରାଶର ସ୍ମୃତିକାରକ,

ଭବଭୂତି କାଳିଦାସାଦି କବି,

ଭୂତଳେ ଅତୁଳ ଭାରତଛବି,

ରାମ କୃଷ୍ଣ ଯାର ବୀର,

ଜ୍ଞାନ–ଗରିମାରେ ଭାରତ ସମାନ

କେଉଁ ଦେଶ ପୃଥିବୀର ?

ନାନକ, କବିର, ତୁଳସୀ ଦାସ,

ତୁକାରାମ ବା ଜଗନ୍ନାଥ ଦାସ,

ନାନା ଯୁଗେ ନାନା ସାଧୁ ସଜ୍ଜନ,

ସମାଜସଂସ୍କାର କଲେ ସାଧନ,

ଦେଶେ ଘୋର ବିଶୃଙ୍ଖଳା

ଘୋଟେ ଯେବେ ତେବେ ଜନ୍ମନ୍ତି ମହାତ୍ମା

ଘେନି ପରମାତ୍ମା କଳା ।

 

ପୁଣି ଏ ଭାରତ ଦୁର୍ଭାଗ୍ୟ ବଳେ

ପଡ଼ୁଥିଲା ଅବନତି–କବଳେ,

ଏମନ୍ତ ସମୟେ ଜଗତଗୁରୁ

ଅଭୟ ଉଚ୍ଚାରି ତ୍ରିଦିବ ପୁରୁ

ପାଶ୍ଚାତ୍ୟ ଜ୍ଞାନ ରତନ

ଅମାନିଶା–ଧ୍ୱାନ୍ତେ ଭାସ୍କର ପରାଏ

ଭାରତେ କଲେ ପ୍ରେରଣ ।

 

ଏକେଶ୍ୱରବାଦ–ପୁନଃସ୍ଥାପକ

ଜାତୀଗତପୌରୋହିତ୍ୱ–ନାଶକ

ସ୍ୱଦେଶବତ୍ସଳ ଉଦାରଚେତା

ସୁସଂସ୍କୃତ ନବ ଧର୍ମପ୍ରଣେତା

ଯୁଗଧର୍ମ ସଂସ୍ଥାପନ

କଲେ ଶାସ୍ତ୍ରଦର୍ଶୀ ସୁଜ୍ଞ ସଂସ୍କାରକ

ଦୟାନନ୍ଦ ରାମମୋହନ ।

 

କ୍ଷାତ୍ରଚର୍ଯ୍ୟ

“Fame is the spur that the clear spirit doth raise

To spurn delight and live laborious days.”

 

“The heights by great men reached and kept,

Were not attained by sudden flight;

But they while their companions slept

Were toiling upward in the night.”

 

“ଯା ନିଶା ସର୍ବଭୂତାନାଂ ତସ୍ୟାଂ ଜାଗର୍ତ୍ତି ସଂଯମୀ ।”

 

ମେରୁଦଣ୍ଡ–ଆଦର୍ତ୍ତନେ ଭୂପୃଷ୍ଠ–ଅର୍ଦ୍ଧାଂଶ

ହେଲା କ୍ରମେ ବ୍ୟାବର୍ତ୍ତିତ, ଭାସ୍କରବିମ୍ବର

ଧରା ଅର୍ଦ୍ଧାଂଶର ମଧ୍ୟେ ଅପର ଅର୍ଦ୍ଧର

ହେଉଁ ବ୍ୟବଧାନ; ଧୀରେ ନିଶିର ଅନ୍ଧାର

 

ଓହ୍ଲାଇ ଘୋଟିଲା ନଭ । ପ୍ରଥମ ଯାମରେ

ନିଃଶେଷି ଯେ ଯାହା କର୍ମ ନିଦ୍ରାଦେବୀ–ଅଙ୍କ

ଆଶ୍ରିଲେ ମାନବେ । ବେଳ ପାଇ ନିଶାଚରେ

ବହିର୍ଗତ ହୋଇ ଏବେ ଭ୍ରମିଲେ ଭୂପୃଷ୍ଠେ;

ଶୁଣାଯାଏ ମଧ୍ୟେ ମଧ୍ୟେ ହିଂସ୍ର ଶ୍ୱାପଦର

କର୍କଶ ଶବଦ; ସ୍ତବ୍‌ଧ ଅନ୍ୟଥା ଧରିଣୀ ।

ହସ୍ତିନା ଅସ୍ତ୍ର–ପ୍ରାଙ୍ଗଣେ କର୍କଶ ଶଯ୍ୟାରେ

ସୁସୁପ୍ତ ଗୁରୁଗହଣେ ପୌରବ–ପ୍ରଦୀପ

ପୃଥା–ପଞ୍ଚପୁତ୍ରେ, ଧୃତରାଷ୍ଟ୍ର–ଶତସୁତେ,

ଗୁରୁସୁନୁ ଅଶ୍ୱତ୍‌ଥାମା, କ୍ଷାତ୍ରଚର୍ଯ୍ୟବ୍ରତୀ

ସର୍ବେ, ଶ୍ରାନ୍ତ ଦିବସର ବ୍ୟାୟାମ–କ୍ଳାନ୍ତିରୁ ।

ଏକାଳେ ଜାଗ୍ରତ ଦ୍ରୋଣ ସନ୍ଦିଗ୍‌ଧ ଅନ୍ତର—

ସୂଚିଭେଦ୍ୟ ଅନ୍ଧକାର, ଅଗାଧ ତମସ୍ର,

ନିସ୍ତବ୍‌ଧ ନିଶୀଥ, ସୁପ୍ତା ହସ୍ତିନା ନଗରୀ

ସୁଖେ ଶାନ୍ତି–ଅଙ୍କେ; ଯେଣୁ ବୀର ଦର୍ପଭରେ

ଥିଲା ସେ ବିବଶା ଧନୀ ସମଗ୍ର ବାସର,

 

ଗମ୍ଭୀର ନିଶୀଥ–ଶାନ୍ତି–ସାମ୍ରାଜ୍ୟ ଆକ୍ରମି

ଶୁଭେ ଶସ୍ତ୍ରଶ୍ୱନ ! ଚିନ୍ତେ କୁରୁକୁଳଗୁରୁ...

ବିକ୍ରମୀ ଅରାତି କିବା କୌରବ–ସାମ୍ରାଜ୍ୟ

ଆକ୍ରମିଲା ? ଏ ଭାରତଖଣ୍ଡେ ବୀର୍ଯ୍ୟବନ୍ତ

କିଏ ଅଛି, ଏ ଅସାଧ୍ୟ ସାଧନେ ସମର୍ଥ ?

ପଞ୍ଚାଳ, ମଗଧ, କାଶୀ, ବିରାଟ, କୋଶଳ

ଆଦି ଯେତେ ଯେତେ ରାଜ୍ୟ ଭୂଭାରତମଧ୍ୟେ

ବିରାଜନ୍ତି, ଗୁପ୍ତ ନୁହେ କାହା ଶୌର୍ଯ୍ୟବୀର୍ଯ୍ୟ

ମୋ ନିକଟେ ନାହିଁ କେହି ରାଜନ୍ୟମଣ୍ଡଳେ

ପ୍ରତାପୀ ଭୀଷ୍ମପ୍ରତାପ ଅଜ୍ଞାତ ଯାହାର,

ଶୁଣି ନାହିଁ ଯାହୁ ପାର୍ଥ–ନବୀନ–ବିକ୍ରମ–

ବାର୍ତ୍ତା, ପୌରବୀୟ ଧ୍ୱଜା ଜଗଜ୍‌ଝମ୍ପି ଯାର

 

ହୃତ୍‌କମ୍ପ ନ ଉପୁଜାଏ ! ତେବେ ଏ ନିଶୀଥେ

ଅଦୂରେ ଧନୁଷ୍ଟଙ୍କାର ଶବ୍ଦ କରେ କିଏ ?

ସନସନ ଶବ୍ଦେ ଶର ନିଶାଥୀ–ଗଗନ

ଶବ୍ଦାୟିତ କରେ ମୁହୁଃ, ଏ ଘନ ତମିସ୍ରେ

ସ୍ଥିରଲକ୍ଷ୍ୟ ହୋଇ ଭେଦି ପାରେ ଯେ ଶରବ୍ୟ,

ନୁହେଁ ସେ ସାମାନ୍ୟ ଯୋଦ୍ଧା କିନ୍ତୁ ଦୁଃସାହସେ

ଆସିଛି ଯମ୍ବୁକ ଯେବେ ହର୍ଯ୍ୟକ୍ଷବିହ୍ୱକୁ,

ଶିକ୍ଷି ଯାଉ ଶିକ୍ଷା କିଛି ଚିରକାଳପାଇଁ ।

ଏସନ ବିଚାରି ଘେନି କାର୍ମୁକ ନିଷଙ୍ଗ

ଶବ୍ଦ–ଅଭିମୁଖେ ଚଳି, ରହିଣ ଅଦୂରେ

କହିଲେ ବିନୀତ ଦର୍ପେ “ନୈଶ ପର୍ଯ୍ୟଟକ !

ନିଶିଯୋଗେ ଭ୍ରମଣ ଏ ହସ୍ତିନା–ଉଦ୍ୟାନେ

ନୁହଇ ଲକ୍ଷଣ କେବେ ପ୍ରାଣ ପ୍ରୟାସୀର ।

ମିତ୍ର ହେଲେ ପରିଚୟ ପଚାରେ ବିନୟେ,

ଅରି ହେଲେ ଆହ୍ୱାନୁଛି ବୀରତ୍ୱର ନାମେ,

କୁରୁକୁଳ ନାମେ, ପୁଣି ସ୍ୱୀୟ ଗୁରୁ ନାମେ

ଆହବାର୍ଥେ ଏକାକୀ ବା ସ୍ୱକଟକ ସହ ।”

 

ଶୁଣି ଅସ୍ତ୍ରଗୁରୁବାଣୀ ସଲଜ୍ଜେ ଫାଲ୍ ଗୁନୀ

ରଖିଦେଇ ଶରାସନ ସାୟକ ଭୂପୃଷ୍ଠେ

ବଦ୍ଧାଞ୍ଜଳି ହୋଇ ବାଣୀ ବୋଇଲେ ବିନୀତେ

“କ୍ଷନ୍ତବ୍ୟ ଭୋ ଗୁରୋ ଚିରଦାସ–ଅପରାଧ

ତବ ଆଜ୍ଞା ଶିରୋଧାର୍ଯ୍ୟ କରି, ନିତିପ୍ରତି

ଆଲୋକେ ଅନ୍ନ ବ୍ୟଞ୍ଜନ ଭୁଞ୍ଜୁଥିଲା ଦାସ,

ପ୍ରଭଞ୍ଜନ ବେଗେ ଦିନେ ଲିଭିଲା ପ୍ରଦୀପ

ଦୈବଯୋଗେ, ଅଭ୍ୟାସର ବଳେ ଭୁଞ୍ଜି ଅନ୍ନ

ଜାଣିଲେ ଲକ୍ଷ୍ୟ ଭେଦିବି ଅଭ୍ୟାସେ ଏସନ ।

ଅଲକ୍ଷ୍ୟେ ଦୂରସ୍ଥ ରିପୁ ଭେଦନାର୍ଥେ ପ୍ରଭୋ

ଅଦୃଷ୍ଟ ଲକ୍ଷ୍ୟେ ମୁଁ ଶରଚାଳନ ସାଧନେ

 

ଲିପ୍ତ ଥିଲି । ଗୁର୍ବାଦେଶ ବିହୁନେ ଏ ବ୍ରତେ

ବ୍ରତୀ ମୁହିଁ ଯେଣୁ, ଶିରୋଧାର୍ଯ୍ୟ ହେବ ମୋର

ସେ ଦଣ୍ଡ, ଯେ ଦଣ୍ଡ ହେବ ଶ୍ରୀମୁଖରୁ ଆଜ୍ଞା ।”

ଆକର୍ଣ୍ଣି କିରୀଟିବାଣୀ ଶରଗୁରୁ ଦ୍ରୋଣ

ନୟନୁ ଝରାଇ ନୀର ଚୁମ୍ବି ଶିଷ୍ୟ ଶିର

ବୋଇଲେ “ହେ ସବ୍ୟସାଚି ! ଧନ୍ୟ ତବ ମାତା

ତବ ସମ ପୁତ୍ର ଯାହା ଗର୍ଭେ ସେ ଧରିଲେ,

ଧନ୍ୟ ତବ ପିତା, ଧନ୍ୟ ଧନ୍ୟ ଚନ୍ଦ୍ରବଂଶ,

ଧନ୍ୟ ମୁଁ ଶିଖାଏ ଯାହା ତୋତେ ଧନୁର୍ବେଦ ।

ଅଶ୍ୟତ୍‌ଥାମାସ୍ନେହବଶୁଁ କହିଲି ତୁମ୍ଭଙ୍କୁ

ସତତ ଆଲୋକେ ଅନ୍ନ ଭୁଞ୍ଜିବା ସକାଶେ

ଶିଷ୍ୟଠାରୁ କ୍ଷମାଭିକ୍ଷା କରିବି କେମନ୍ତେ ?

ନିଜ ଗୁଣେ ପୁତ୍ରଠାରୁ ହେଲ ପ୍ରିୟତର ।

 

କଠୋର କର୍ମର ଯୋଗେ ବ୍ରତୀ ଯେଉଁ ଯୋଗୀ

ଏ ବିଶାଳ ବିଶ୍ୱବନେ, ନ ହୁଏ ବିଫଳ

କଦାପି ତପସ୍ୟା ତାର; ସୁଦୀର୍ଘ ଜୀବନେ

ଏହି ପ୍ରବୀଣତା ମୁହିଁ ଲଭିଛି ଜଗତେ ।

ଅଦ୍ଭୁତ ପୁରୁଷ ଅହୋ ! ବ୍ୟାପିବ ବ୍ରହ୍ମାଣ୍ଡେ

ତବ ଯଶ, ହେବ ପୂଜ୍ୟ ଏ ଭାରତଖଣ୍ଡେ ।

ତୋ ରଣ କୌଶଳ ଗାଇ ଧନ୍ୟ ହେବେ କବି

ହସ୍ତିନା–ଉଦ୍ୟାନେ ଏହି ତମସ୍ରି ନିଶୀଥେ

ତୋ ଧନୁଷ୍ଟଙ୍କାର–ଶବ୍ଦ ଭେଦିବ ଶ୍ରବଣ

ଭବିଷ୍ୟତ ଭାରତର; ହୋଇବ ଜାଗ୍ରତ

ଏ ଧନୁଷ୍ଟଙ୍କାରେ କାଳେ ନିଦ୍ରିତ ଭାରତ ।”

 

ମହାରାଣୀ ଭିକଟୋରିୟା

(ରାଗ-ଧନାଶ୍ରୀ)

ଆହା ଭିକ୍‌ଟୋରିୟା            ରାଜରାଜେଶ୍ୱରୀ

ରମଣୀ–ମୁକୁଟ–ମଣି

ଚଉଷଠି ବର୍ଷ            କରି ରାଜପଣ

ତେଜିଗଲ ଏ ଧରଣୀ

ତବ ଶୋକେ ବିଷଣ୍ଣ

ହାହା କରେ ନିଖିଳ ଭୁବନ ।

 

ସତ୍ୟପରାୟଣା            ସତୀଚୂଡାମଣି

କରୁଣାକୋମଳପ୍ରାଣା,

କର୍ତ୍ତବ୍ୟର ଶିଷ୍ୟା            ମହାମନଃସ୍ୱିନୀ

ଥିଲ ବିଭୁପ୍ରେମେ ଧନ୍ୟା,

ନାରୀକୁଳ–ଗୌରବ,

ତବ କୀର୍ତ୍ତିଗୀତେ ପୂର୍ଣ୍ଣ ଭବ ।

 

ଧର୍ମ ଅର୍ଥ କାମ            ମୋକ୍ଷ ଚଉବର୍ଗ

ସଫଳ ତୁମ୍ଭ ଜୀବନେ,

ସାମ୍ୟ–ମୈତ୍ରୀ ମନ୍ତ୍ର            ପ୍ରଚାରିଛ ଦେବି,

ସ୍ୱକାୟମନବଚନେ,

ସାଧୁ ସାଧୁ ଅବଳା !

ଥିଲ ଭାଗ୍ୟବତୀ ଷୋଳକଳା ।

 

ସଂସାରେ କହନ୍ତି            ଭାଗ୍ୟଧରଗଣ

ଗୁଣେ ଗରିଷ୍ଠ ନୁହନ୍ତି,

ତୁମ୍ଭ ଜୀବନରେ            ଏ ବିଶ୍ୱାସ ଦୂର

ହୋଇଅଛି ମହାସତୀ

ସାଧୁ ଦୃଷ୍ଟାନ୍ତ ତବ

ଆହା କି ସୁନ୍ଦର ଅଭିନବ ।

 

ବୟାଅଶୀବର୍ଷ            ପୂର୍ବେ ଜନ୍ମିଥିଲ

କେଉଁ କ୍ଷୁଦ୍ର ପ୍ରାସାଦରେ

ଜାପାନରୁ ପେରୁ            ଯାଏ ଆଜି ତବ

ପୂଜା ହୁଏ ଘରେ ଘରେ,

ଧନ୍ୟ ଧନ୍ୟ ରମଣି !

ସୁମାତା ସୁରାଣୀ ସୁଘରଣୀ ।

ଜାତି ଗୋତ୍ର ଧର୍ମ            ବର୍ଣ୍ଣ ନିର୍ବିଶେଷେ

ସକଳେ ଭାରତ ସୁତ

ଗୁଣ–ଅନୁରୂପେ            ହେବେ ତବ ରାଜ୍ୟେ

ରାଜକର୍ମରେ ନିଯୁକ୍ତ—

ପ୍ରଚାରିଣ ଘୋଷଣା

ମୋହିଲ ଏ ଦେଶେ ଦେବକନ୍ୟା ।

ଏ ଭବେ ସକଳେ            ପ୍ରଣମି ସବଳେ

ଦଳନ୍ତି ଦୁର୍ବଳେ ଗର୍ବେ,

ତୈଳାକ୍ତ ମସ୍ତକେ            ଢାଳନ୍ତି ଢଇଳ,

ନ ଚାହାନ୍ତି ଦୀନେ ଲବେ,

ଥିଲ ବନ୍ଧୁ ଦୁଃଖୀର,

ହୋଇ ମହାରାଣୀ ଧରଣୀର ।

ଯେଉଁ ଦେଶ ଗଲ            ମାତା ଭିକ୍‌ଟୋରିୟା

ସେ ଦେଶୁଁ ନ ଫେରେ ପ୍ରାଣୀ

ଫେରାଇ ପାରିଲେ            ମଧ୍ୟ ନ ଫେରାନ୍ତୁ

ଆଗୋ ଭାଗ୍ୟବତୀ ରାଣୀ !

ଦୁଃଖପୂର୍ଣ୍ଣ ଭୂର୍ଲୋକ,

ତବ ଉପଯୁକ୍ତ ପୁଣ୍ୟଲୋକ ।

ଚାଲିଗଲ ମାତଃ !            ଯେ ସୁଖନିଳୟେ

ଯହିଁ ଛନ୍ତି ପ୍ରାଣପତି,

ଦିବସ ଯାମିନୀ            ଝୁରୁଥିଲ ଯାଙ୍କୁ

ହରାଇ ଯୌବନେ ସତି,

କାଷ୍ଠା–ବ୍ରହ୍ମଚାରିଣୀ,

ପ୍ରଭାତିଲା ବିଚ୍ଛେଦ–ଯାମିନୀ ।

 

‘ବିଶ୍ୱବନ୍ଦିନୀୟା            ରାଣୀ ଭିକ୍‌ଟୋରିୟା’

ଲିଖିତ ଧରାବକ୍ଷରେ,

ଯାବତଚନ୍ଦ୍ରାର୍କ            ଉଦ୍‌ଘାଷିତ ହେବ

ଜଳଦଗମ୍ଭାର ସ୍ୱରେ,

ତାର ମୃଦୁ ନିସ୍ୱନ,

ଦିବ୍ୟଲୋକ କରିବ ସ୍ପନ୍ଦନ । *

*ଏହି ପଦ୍ୟଟି ମୋହର ସହୋଦରପ୍ରତିମ ବନ୍ଧୁ କଟକ ରେଭେନ୍‌ସା ହିନ୍ଦୁବାଳିକାବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣପ୍ରସାଦ ଚଉଧୁରୀଙ୍କ ଅନୁରୋଧରେ ଲିଖିତ ହୋଇ ୧୯୦୧ ଖ୍ରୀଷ୍ଟାଦ୍ଧରେ ଉକ୍ତ ବିଦ୍ୟାଳୟର ପୁରସ୍କାରବଣ୍ଟନ ଉପଲକ୍ଷରେ ଦୁଇଗୋଟି ବାଳିକାଙ୍କ ଦ୍ୱାରା ଗୀତ ହୋଇଥିଲା ।

 

ବାମଣ୍ଡାଧୀଶ୍ୱର ସର୍ ବାସୁଦେବ ସୁଢ଼ଳ ଦେବ

କେ.ସି.ଆଇ.ଇ. ଏବଂ ଯୁବରାଜ ଶ୍ରୀ ସଚ୍ଚିଦାନନ୍ଦ ଦେବ

 

ରାଗ-ଚୋଖି

ଜୟ ବାମଣ୍ଡା–ମଣ୍ଡନ            ସୁଢ଼ଳଦେବ ରାଜନ

ଧୀର ବୀର ଦାତା କବି ଶ୍ରୀ ବାସୁଦେବ

ସ୍ଥାପିଛ କୀର୍ତ୍ତି ଅକ୍ଷୟ            ‘ଅଳଙ୍କାର ବୋଧୋଦୟ’

‘ଚିତ୍ରୋତ୍ପଳା’, ‘ବାରମାମା’ ରଚିଣ ଦେବ ।

ଗାଏ ତବ ଜୟ ହେ ଭୂପ ?

‘ହିତୈଷିଣୀ’, ‘ଆଲୋଚନା’ ସଙ୍ଗେ ‘ମଧୂପ’ ।

ସ୍ୱାଗତ ବାମଣ୍ଡା–ପତି            ରାଜ ଆଭରଣେ ଯତି,

ତବ ଶୁଭ–ଆଗମନେ ଆମ୍ଭେ ଉଷତ;

ଜ୍ଞାନକର୍ମ ସମାବେଶେ            ଅର୍ଜିଛ ଦେଶେ ବିଦେଶେ

ଅକ୍ଷୟ କୀରତି, ଯାହା ଘୋଷେ ଭାରତ,

ପ୍ରମାଣିଛି ତବ ଜୀବନ

‘ରାଜା ରାଜ୍ୟାଶ୍ରମ–ଋଷି’—ବୁଧବଚନ ।

 

ଥିଲା ସମୃଦ୍ଧ ଉତ୍କ             ହୋଇଛି ହୀନ ଦୁର୍ବଳ

ଶୌର୍ଯ୍ୟ ବୀର୍ଯ୍ୟ ବିଦ୍ୟା ବୁଦ୍ଧି ଯାଇଛି କାହିଁ,

ହରାଇ ଗୌରବ–ପ୍ରାଣେ ପଡ଼ିଛି ଶବ–ଶ୍ମଶାନେ,

ତା ଦୁଃଖକୁ ଢାଳେ କେହି ଚାହୁଁ ତ ନାହିଁ ।

ଜନ୍ମି ଏ ଉତ୍କଳେ ରାଜନ,

କର ମୃତସଞ୍ଜୀବନମନ୍ତ୍ରୋଚ୍ଚାରଣ ।

 

ଅତି କଷଣେ ଅର୍ଜିତ            ଦରିଦ୍ର କୃଷ୍ଣକବିତ୍ତ

ଲୁଣ୍ଠନ କରି ମଣିମା ନିଷ୍ଠୁରରୂପେ,

ଅସାର ଧାତୁଭୂଷଣ            କରି ଶ୍ରୀଅଙ୍ଗେ ଧାରଣ

ବିଳାସ–ତଳ୍ପେ ନିଦ୍ରିତ ସ୍ୱଦେଶୀ ଭୂପେ ।

‘ରାଜା ପ୍ରଜାହୃଦରଞ୍ଜନ’,

ଏହା ଜାଣି ଛାମୁଙ୍କର ରାଜ୍ୟଶାସନ ।

 

ଦୁର୍ଲ୍ଲଭ ଆସନ ଭଜି            ସପତ୍ନୀ ଭାବ ବରଜି

ବିଶାଳବକ୍ଷେ ଲୋଟନ୍ତି କମଳା–ବାଣୀ,

ବିନୀତା ଭାରତୀ ସତୀ      ଅଟନ୍ତି ଶ୍ରେୟସୀ ଅତି

ସାମ୍ରାଜ୍ୟ–ଲକ୍ଷ୍ମୀ ଯଦିବା ପ୍ରେୟସୀ ରାଣୀ,

ବୁଝିଛ ଏ ମର୍ମ ନରେଶ,

ଘୋଷେ ତବ ଯଶ ତେଣୁ ଉତ୍କଳ ଦେଶ ।

 

ଜୟ ଶ୍ରୀ ସଚ୍ଚିଦାନନ୍ଦ—      ଦେବ କବି ସଦାନନ୍ଦ

ବିନୟୀ ଅମୃତଭାଷୀ ଉଦାରହୃଦ,

ସାହିତ୍ୟକୁଞ୍ଜବିହାରୀ      ଦର୍ଶକହୃଦୟହାରୀ

ତବ ଦରଶନେ ହୁଏ ହୃଦୟେ ମୃଦ;

ଯୋଗ୍ୟ ପିତା ଯୋଗ୍ୟ ନନ୍ଦନ

ପିନାକୀ ପାଶେ ସେନାନୀ ପ୍ରାୟ ଶୋଭନ ।

 

ଚିର ଦରିଦ୍ର ଉତ୍କଳ            ନାହିଁ ଧନ ବିଦ୍ୟାବଳ

ସଙ୍ଗ ତେଜି ଗଲେ ତେଣୁ ଅନ୍ୟ ଭଗିନୀ,

ଭବାଦୃଶ ସ୍ୱସନ୍ତତି            ଯୋଗେ ହୋଇ ପୁତ୍ରବତୀ

ଉତ୍କଳ ଭାରତୀ କିପାଁ ଚିରଦୁଃଖିନୀ ?

ବର୍ଷି ତବ କୃପା–ଆସାର

ପଲ୍ଲବିତ କରୁ ତନୁ ମାତୃଭାଷାର ।*

*ଏହି ପଦ୍ୟଟି ୧୯୦୦ ଖ୍ରୀଷ୍ଟାଦ୍ଦରେ ବାମଣ୍ଡାଧିପତି ଓ ବାମଣ୍ଡା ଯୁବରାଜଙ୍କ କଟକ ଟାଉନସ୍କୁଲ ପରିଦର୍ଶନବେଳେ ଦୁଇ ଗୋଟି ଶିଶୁ ସମସ୍ୱରରେ ଆବୃତ୍ତି କରିଥିଲେ ।

 

ଓଡ଼ିଆ ରାଜାଙ୍କ ନିକଟରେ

ଓଡ଼ିଆର ଗୁହାରୀ

ଦୁର୍ବଳ ଓଡ଼ିଆ ଜାତି ଅତି କ୍ଷୁଦ୍ରବୁଦ୍ଧି,

ନାହିଁ ଶାରୀରିକ ଶ୍ରମ ନାହିଁ ଜ୍ଞାନ ବୁଦ୍ଧି,

ତହିଁରେ ଓଡ଼ିଆ ରାଜା ଉଦାର ଉଦାସ,

ଉତ୍କଳ–ଉନ୍ନତି ଚେଷ୍ଟା ବିଫଳପ୍ରୟାସ ।

ସପ୍ତ ପୁରୁଷରୁ ଯେହୁ ଖାଉଥିଲେ ଦାନା,

ବୈଦେଶିକେ ମନା କଲେ ତାଙ୍କୁ ମାଲଖାନା;

ସିଂହର ବିଭାଗ ଏବେ ନେଲେ ବିଦେଶୀଏ,

ପାଇଲେ ଶୃଗାଳଅଂଶ କ୍ଷୁଦ୍ର ସ୍ୱଦେଶୀଏ,

ମାଛ ରୁଟି ଗାଡ଼ି ଘୋଡ଼ା ବିଦେଶୀଙ୍କୁ ଭୋଗ,

ଉପବାସେ ସ୍ୱଦେଶୀଙ୍କୁ ଜୀବନ୍ମୃତ୍ୟୁ ଯୋଗ ।

ସ୍ୱଦେଶୀ ନୃପତି ! ଏହା କେଉଁ ନ୍ୟାୟ–ନୀତି,

ଦୁର୍ବଳେ ସହାୟ ପରା ସଜ୍ଜନଙ୍କ ରୀତି ?

ଜନନୀ ଜନମଭୂମି ମହତ ସ୍ୱର୍ଗରୁ,

ଦାତାପଣ ଆରମ୍ଭଇ ଆପଣା ଗୃହରୁ ।

 

ସମାଜ

ମାନବ ସମାଜ ଘୋର ସଂଗ୍ରାମ–ପ୍ରାଙ୍ଗଣ,

ଯୋଗ୍ୟତମ ଜୟୀ ହୋଇ ଯାପନ୍ତି ଜୀବନ,

ବିଜେତା ଉଡ଼ାଏ ଦର୍ପେ ଜୟବୈଜୟନ୍ତି,

ସବଳେ ସ୍ୱପଦତଳେ ନିର୍ବଳେ ଦଳନ୍ତି,

ଆତ୍ମସୁଖ–ଅର୍ଥେ ଏଥି ଯୁଝନ୍ତି ସକଳ,

ମରଇ ବିଜିତ ହୋଇ ସେ ଥାଏ ନିର୍ବଳ,

ଜୀବନ୍ମୃତ ହୋଇ ଜିତ ଗମଇ ଶ୍ମଶାନ,

ଅକାଳେ ନିର୍ବଳ ପ୍ରାଣ କରେ ତା ପ୍ରୟାଣ,

ତଥାପି ମାନବ–ସଙ୍ଗ କରି ମୁଁ ବର୍ଜନ

ଜୀବନ–ସଂଗ୍ରାମ–ଭୟେ ନ ଯିବଇଁ ବନ,

ସଂଗ୍ରାମ ଜୀବନ ସିନା, ନିଶ୍ଚେଷ୍ଟ ପରାଣ

ଅଟଇ ଶ୍ମଶାନସ୍ଥିତ ଶବର ସମାନ,

ଜୀବନ–ସଂଗ୍ରାମ ଅଟେ ନିୟତିର ବିଧି,

ଯୁଝି ଘୋର କର ଭାଇ ସର୍ବ କର୍ମ ସିଦ୍ଧି ।

 

ଚାରୁଚିତ୍ର

ଧନ୍ୟ ଗୋ ପ୍ରକୃତି ଧନ୍ୟ ଚାରୁଶୀଳେ

ଧନ୍ୟ ତୋ ବିଚିତ୍ରଲୀଳା,

ସୃଷ୍ଟି–ପ୍ରାରମ୍ଭରୁ ତୋ ଗୂଢ଼ ରହସ୍ୟ

କେହି ଭେଦି ନ ପାରିଲା !

କାହାର ଆଦେଶ ଏ ଆକାଶ–ଦେଶେ

ଗ୍ରହଗଣର ପ୍ରୟାଣ,

କାହାର ଆଜ୍ଞାରେ ଶୋଭେ ଶୂନ୍ୟ–ଦେଶେ

ସୁନୀଳ ନଭ–ଖିଲାଣି ?

କେଉଁ ଉଦ୍ଦେଶରେ ଶୂନ୍ୟ ଗଗନରେ

ଟେକିଅଛି ଗିରି ମଥା,

 

କାହା ଆଜ୍ଞା ପାଳି ଶୋଭେ ମହୀ ବକ୍ଷେ

ବନସ୍ପତି ସଙ୍ଗେ ଲତା ?

କାହା ଆଜ୍ଞାବଳେ କଳକଳ କଳେ

ବହିଯାଏ ସ୍ରୋତସ୍ୱତୀ,

କେଉଁ ଶକ୍ତି ଭୟେ ବହଇ ଅନିଳ

ପ୍ରବଳ ବା ଧୀରଗତି ?

କାହା ଆଦେଶରେ ଜଳେ ଅବିରତ

ଅଗ୍ନି ଏ ମହୀମହୀଳେ,

କାହାର ବିଧାନେ ବିଚରନ୍ତି ପ୍ରାଣୀ

ମହୀତଳେ—ଜଳେ ସ୍ଥଳେ ?

ନିୟତିର କର୍ମ କେମନ୍ତ ନୀରବ

କେମନ୍ତ ବୈଚିତ୍ର୍ୟମୟ;

କେମନ୍ତ କୌଶଳେ ହୋଇଛି ସଂଯୁକ୍ତ

ସୃଷ୍ଟି ସ୍ଥିତି ସଙ୍ଗେ ଲୟ ।

ଦିବା ନିଶି ଉଷା ମଧ୍ୟାହ୍ନ ପ୍ରଦୋଷ

ନିଶୀଥ ଆଦି କେମନ୍ତ

ନିଦାଘ ପ୍ରାବୃଟ ଶରତ ହେମନ୍ତ

ଶିଶିର ପୁଣି ବସନ୍ତ

 

ଆସନ୍ତି ଯାଆନ୍ତି ଅଲକ୍ଷ୍ୟ ଭାବରେ

ନୀରବେ ସ୍ୱକର୍ମ ସାଧି,

ହେ ଅଜ୍ଞେୟ ପ୍ରଭୋ ଧନ୍ୟ ବିସ୍ତାରିଛ

ଏ ବିଶ୍ୱେ ବିଶାଳ ଆଧି !

ଧନ୍ୟ ସତ୍ୟ ଶିବ ସୁନ୍ଦର ଦେବତା

ଅନନ୍ତ ଶାନ୍ତ ପବିତ୍ର,

ଆଶୀର୍ବାଦ କର ଯାଉ ଏ ଜୀବନ

ଦେଖି ସୃଷ୍ଟି–ଚାରୁଚିତ୍ର ।