ନିର୍ଝରିଣୀ

ନିର୍ଝରିଣୀ

ନନ୍ଦକିଶୋର ବଳ

 

ମୁଖବନ୍ଧ

ଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତି- ଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :—

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?” (ରାଓଙ୍କ ସ୍ମୃତି—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃଷ୍ଠା ୧୧୧୮−୧୯)

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା । ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ—

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

ପୁଣି:—

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

 

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’—ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି—କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ । ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’—ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:—

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’—

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନ ଥାଏ । ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନ ଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :—

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।” (ଭାରତର ଭବିଷ୍ୟତ୍ ଭାଷା—ନନ୍ଦକିଶୋର ଗ୍ରନ୍ଥାବଳୀ, ପୃ ୧୦୩୭−୩୮)

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା—ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି ? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

 

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇ ନ ଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Rennaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ । ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ । ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ । ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନ ଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ । ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪।୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ । ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତନ୍ତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇ ଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

 

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି– “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ– “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ । ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟରପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । *ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

*ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି–ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ । ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ–ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରି ନ ଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା ।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ–

“ହେ ଈଶ୍ୱର, ହର ମୋର ସର୍ବ ଅଧୀନତ,

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା ।”

କୁସୁପୁର

 

 

 

 

ତା ୨୫ । ୪ । ୧୯୫୫

 

 

 

ଶ୍ରୀ ସୂର୍ଯ୍ୟମଣି ଜେନା

 

ନିର୍ଝରିଣୀ

ଯାଆନ୍ତୁ କମଳା−ସୁଖ−ସୌଧେ ସଖାଗଣ,

ଦରିଦ୍ର−କୁଟୀରେ ତବ ଯାପିବି ଜୀବନ ।

ସାରସ୍ୱତ ଭଣ୍ଡାରରୁ କବୀନ୍ଦ୍ର ବନ୍ଦିତା

ବାଛି ଦିଅ ଭାରତ ଗୋ ! ଦୁର୍ଲ୍ଲଭ କବିତା ।

 

ଉତ୍ସର୍ଗ ପତ୍ର

ପରମ ମାନନୀୟ, ଲକ୍ଷ୍ମୀ ସରସ୍ୱତୀ ଉଭୟଙ୍କର ପ୍ରିୟପୁତ୍ର, ଉପଯୁକ୍ତ ପିତାଙ୍କର ଉପଯୁକ୍ତ ସନ୍ତାନ, ମାୟାଶବରୀ ଓ ଭୀଷ୍ମ, ଅଳଙ୍କାରସାର, ରାସରହସ୍ୟ, କୁମାରୀଶିକ୍ଷା ପ୍ରଭୃତି କାବ୍ୟ, ଅଳଙ୍କାର, ଭାଷାଶିକ୍ଷା ଇତ୍ୟାଦି ବିଷୟକ ଗ୍ରନ୍ଥ ସକଳର ପ୍ରଣେତା, ସ୍ୱଦେଶୀୟ ରାଜକୁମାରବର୍ଗଙ୍କ ଆଦର୍ଶସ୍ଥାନୀୟ, ବାମଣ୍ଡା ଆଲୋଚନା ସଭାର ସଭାପତି, ଗୁଣଗ୍ରାହୀ ବାମଣ୍ଡା ଯୁବରାଜ ଶ୍ରୀଳ ଶ୍ରୀଯୁକ୍ତ ଟିକାୟତ ସଚ୍ଚିଦାନନ୍ଦ ଦେବ ମହୋଦୟଙ୍କ ଗୌରବାନ୍ୱିତ ନାମରେ ଏହି ନିର୍ଝରିଣୀ ନାମଧେୟ ଖଣ୍ଡକବିତା–ପୁସ୍ତକ ଶ୍ରଦ୍ଧା ଓ ସମ୍ମାନ ସହକାରେ ଉତ୍ସୃଷ୍ଟ ହେଲା ।

 

“ନିର୍ଝରିଣୀ” ସମ୍ୱନ୍ଧରେ ଭକ୍ତକବି ରାୟ ମଧୁସୂଧନ ରାଓ ବାହାଦୂର ମହୋଦୟଙ୍କ ମନ୍ତବ୍ୟ

ପରମପ୍ରୀତିଭାଜନ ଶ୍ରୀମାନ୍ ନନ୍ଦକିଶୋର ବଳଙ୍କର ରଚିତ “ନିର୍ଝରିଣୀ” ନାମଧେୟ ପୁସ୍ତକର ଅନ୍ତର୍ଗତ ଅଧିକାଂଶ କବିତା ମୁଁ ପଢ଼ିଅଛି । “ନବବର୍ଷା ଭାବନା” ଓ “କାକବାରତା” ଶୀର୍ଷକ କବିତାଦ୍ୱୟ ପଢ଼ି ମୁଁ ଅପୂର୍ବ ପ୍ରୀତି ଓ ଆନନ୍ଦ ଲାଭ କରିଅଛି । ସ୍ୱଦେଶୀୟ ଭାବ−ମାଧୁରି−ସୁସ୍ନିଗ୍‌ଧ, ସ୍ୱଦେଶୀୟ ଶତ ବାଲ୍ୟସ୍ମୃତି−ପବିତ୍ରିତ ଏବଂ ଓଡ଼ିଶାର ଅକୃତ୍ରିମ ଜାନପଦଭାବୋଚ୍ଛ୍ୱାସସମ୍ୱଳିତ ଏପରି ମଧୁମୟ ମର୍ମ୍ମସ୍ପର୍ଶୀ ବିଚିତ୍ର କଳସଙ୍ଗୀତ ଆଧୁନିକ ଉତ୍କଳ−ସାହିତ୍ୟକୁଞ୍ଜରେ ଇତିପୂର୍ବେ କୂଜିତ ହୋଇ ନ ଥିଲା, କହିଲେ ଅତ୍ୟୁକ୍ତି ହେବ ନାହିଁ । ଶ୍ରୀମାନ୍ ନନ୍ଦକିଶୋର ନବୀନ କବି ହେଲେହେଁ “ଉତ୍କଳ−ସାହିତ୍ୟ” ଓ ଅନ୍ୟ କେତେକ ସାମୟିକ ପତ୍ରିକାରେ ନିଜର ଅନେକଗୁଡ଼ିଏ ସୁନ୍ଦର କବିତା ପ୍ରକାଶ କରି ଓ “ପଲ୍ଲୀଚିତ୍ର” ନାମକ କ୍ଷୁଦ୍ର କବିତା−ପୁସ୍ତକ ପ୍ରଣୟନ କରି ଉତ୍କଳର ସାରସ୍ୱତଧାମ ମଧ୍ୟରେ ସ୍ୱାଗତ ସମ୍ଭାଷଣ ସହକାରେ ଗୃହୀତ ହୋଇଅଛନ୍ତି ଏବଂ ମୋର ସମ୍ପୂର୍ଣ୍ଣ ଆଶା ଓ ବିଶ୍ୱାସ ଏହି ଯେ, କବି ନନ୍ଦକିଶୋର ଏକ ସମୟରେ ସେହି ଧାମରେ ପୁଣ୍ୟଗୌରବମୟ ଅମୃତ ଯଶୋମାଲ୍ୟ ଧାରଣ କରି ସୁକବିମାନଙ୍କ ସଙ୍ଗେ ଏକାସନରେ ବସି ବିଶେଷରୂପେ ଉତ୍କଳ−ସାହିତ୍ୟର ମୁଖ ଉଜ୍ଜ୍ୱଳ କରିବେ ।

୪। ୮ । ୧୯୦୦

 

 

 

 

ଶ୍ରୀ ମଧୂସୂଦନ ରାଓ

ସୂଚୀପତ୍ର

ନବବର୍ଷା ଭାବନା

ଅଦିନ ମେଘ

ବର୍ଷା ମଙ୍ଗଳ

ଅତୀତ ଚିନ୍ତା

ବାଲ୍ୟସ୍ମୃତି

କାକ ବାରତା

ଉପବନ ଭାବନା

ଦୁଃଖୀର ସଂସାର

ଅତୃପ୍ତ ପ୍ରେମ

ରିପୁ-ବିପ୍ଳବ

ନିୟତି-ପୀଡ଼ନ

ଜରା-ମରଣ

ଡାଆଣିଆ ଖରା

ପ୍ରଭାତ-ଅବକାଶ

ନିଶୀଥଶୋଭା

କବିର ଆଧିପତ୍ୟ

ମାତୃମଙ୍ଗଳ

ସ୍ୱରସ୍ୱତୀ-ଆବାହନ

ନିର୍ଝରିଣୀ

ନବବର୍ଷା ଭାବନା

-୧-

କ୍ରମେ ଗ୍ରୀଷଋତୁ ସ୍ୱକର୍ମ ସମ୍ପାଦି

ଯାଉ ଧରାଧାମ ଛାଡ଼ି,

ପ୍ରବଳ ବେଗରେ ଘୋର ବୃଷ୍ଟିକାଳ

ଆସିଲା ସଂସାର ମାଡ଼ି ।

ଭାବଇଁ ଦେଖିଣ ମହାପରିବର୍ତ୍ତ

ଅଚିରେ ଧରଣୀମୁଖେ

ଚିରକାଳ ସିନା ଏ ମର−ସଂସାର

ପୂରିଅଛି ଦୁଃଖ ସୁଖେ ।

ଆଜି କଥା କାଲି ଅନ୍ତର ତ ପୁଣି

ମୁହୂର୍ତ୍ତେ ମୁହୂର୍ତ୍ତେ ଭେଦ,

ନଶ୍ୱର ବିଶ୍ୱର ଏ ଅସ୍ଥିର ଭାବ

ମନେ ଦିଏ ଘୋର ଖେଦ ।

 

ସୁଦୂର ଅତୀତ ଚାରୁ ଛବିରାଜି

ଚିତ୍ତପଟେ ଉଦ୍ଭାସଇ,

ସୁମଧୁର ବାଲ୍ୟ−ଭାବ ଗୋଟି ଗୋଟି

ଆଜି ମୋ ମନେ ପଡ଼ଇ ।

ଆହା ରେ ସେ ସୁଖ ଏ ଜୀବନେ ଆଉ

କେବେ ତ ମିଳିବ ନାହିଁ,

ରେ ନିଷ୍ଠୁର କାଳ ! କି ଦୋଷେ ମୋ’ଠାରୁ

ନେଲୁ ସେ ସୁଖ ଛଡ଼ାଇ !

ଅତି ଶୈଶବରେ ଜନନୀ ମୋହର

ଗଲେ ଛାଡ଼ି ଚାଲି ମତେ;

ଏକ ଗଲେ ଦୂରେ ଆନ ସ୍ୱର୍ଗପୁରେ

ଭଗିନୀଏ ଭାଗ୍ୟମତେ ।

 

ବରଷାକାଳରେ ଜନନୀ−କୋଳରେ

ଶୋଇଥିଲି ସୁଖେ ଯେବେ,

ଗମ୍ଭୀର ନିଶୀଥେ ଗୀତ ଶୁଭୁଥିଲା,

ମନେ ପଡ଼େ ତାହା ଏବେ—

“ମେଘ ବରଷିଲା ଟପର ଟପର

କେଶୁର ମାଇଲା ଗଜା,

କେଉଁ ରାଇଜରେ ରହିଲେ ମୋ ରଜା

ତେଲିଙ୍ଗି ବାଇଦ ବଜା ।”

 

 

-୨-

ମେଘ ବରଷିଲା ମୂଷଳ−ଧାରାରେ

ସ୍ରୋତରେ ବହିଲା ଜଳ,

ଜଳମଧ୍ୟେ କଲେ ଭୈରବ ନିନାଦ

ଗହଳେ ବର୍ଷାଭୂଦଳ ।

 

ନବ ନୀର ପାଇ ଦର୍ଦ୍ଦୁର−ଦମ୍ପତି

ପାଇଲେ ବୈକୁଣ୍ଠ−ସୁଖ,

ସର୍ପଗର୍ତ୍ତେ ଏବେ ପ୍ରବେଶିଣ ଜଳ

ଦେଲା ତାକୁ ଘୋର ଦୁଃଖ ।

‘କାର ପୌଷମାସ କାର ବଂଶନାଶ’

ସିନା ଏ ସଂସାର ଗତି;

କିବା ଖଳମତି ସର୍ପ ବୋଲି ଏହା

ଦୈବଦଣ୍ଡ ତାହା ପ୍ରତି ।

ବିଧିର ବିପାକ ସହିଣ ଭୁଜଙ୍ଗ

ବାଟେ ଘାଟେ ଯାଇଁ ରହେ;

ସୁଯୋଗ ପାଇଲେ ନର ଶ୍ୱାପଦର

ବିଷ−କୋପେ ପ୍ରାଣ ଦହେ ।

ପାପର ଉଚିତ ଦଣ୍ଡ ପାଇ ଦୁଷ୍ଟ

ନ ଛାଡ଼େ ନିଜ ଦୁର୍ମତି,

ପ୍ରବଳ ଗଞ୍ଜଣା ସହି ସେ ଦୁର୍ବଳେ

ଗଞ୍ଜେ, ଏ ସଂସାର ଗତି ।

 

ଚିନ୍ତା କରିବାକୁ ନବୀନ ବରଷା

ଘଟାଏ ଅପୂର୍ବ ଯୋଗ;

ଚିନ୍ତା କରୁଁ କରୁଁ ମନେ ପଡ଼େ ସେହି

ଶୈଶବର ସୁଖଭୋଗ ।

ଶ୍ରାବଣ ମାସରେ ସଙ୍ଗ ଗହଳରେ

ଖେଳୁଥିଲେ ଶିଶୁ ଯେବେ,

ନବବର୍ଷା ଦେଖି ଗାଇଥିଲେ ଗୀତ,

ମନେ ପଡ଼େ ତାହା ଏବେ—

“ମେଘ ବରଷିଲା ଟପର ଟପର

କେଶୁର ମାଇଲା ଗଜା,

କେଉଁ ରାଇଜରେ ରହିଲେ ମୋ ରଜା

ତେଲିଙ୍ଗି ବାଇଦ ବଜା ।”

 

 

 

-୩-

ନର ଅଶ୍ୱ ହସ୍ତୀ ରଥ ସାଜି ମେଘ

ଚାଲଇ ଆକାଶେ ଉଚ୍ଚେ;

କିବା ହେମ ଛଟା ବିସ୍ତାରି ଚପଳା

ଦେଖୁଁ ଦେଖୁଁ କାହିଁ ଲୁଚେ !

ଘୋର ଘଡ଼ଘଡ଼ି−ଘଡ଼ ଘଡ଼ ରଡ଼ି

କମ୍ପେ ପ୍ରାଣ ମୋର ଶୁଣି;

କେବେ କେବେ କାହିଁ ବୃକ୍ଷ, ଜନ୍ତୁମାନେ

ପୋଡ଼ି ଯାଉଥାନ୍ତି ପୁଣି ।

ବିଚିତ୍ର ରହସ୍ୟ ଏ ଅଦ୍ଭୁତ ଦୃଶ୍ୟ

ଦର୍ଶନେ ହୁଅଇ ମନେ,

ଚତୁରଙ୍ଗ ସେନା−ରାଣୀ−ସହ ମେଘ

ବିଜେ ବିଜୟ ଗମନେ ।

ଦିଗ୍‌ବିଜୟୀ ବୀର ବିଜିତ ଦେଶରେ

ପ୍ରକାଶେ ପ୍ରଭୂତା ଯେହ୍ନେ,

ନିଜ ବୀର୍ଯ୍ୟବଳ ଦେଖାଇ ହୁଏ କି

ନୂଆ ରାଜା ମେଘ ତେହ୍ନେ ?

 

କାଞ୍ଚି−ବିଜୟରେ ତ୍ରିବେଣୀ−କ୍ଷୁଦ୍ଧରେ

ଏହିପରି ପରା ହେଲା,

ଚଞ୍ଚଳ ଏ ମନ ସୁଯୋଗ ପାଇଣ

କେତେ କଥା ଭାବି ନେଲା ।

ଚାହିଁଲା ବେଳକୁ ବରଷାର ନୀର

ଝରୁଅଛି ଝର ଝର;

ସୁଲୁ ସୁଲୁ ପୁଣି ବହଇ ପବନ

ଝୁଲୁଛି ବିଟପି କର ।

ମେଘୁଆ ପାଗରେ ଜନନୀ କୋଳରେ

ହସି ହସି ଶିଶୁ ଯେବେ

ମନ ଆନନ୍ଦରେ ଗୀତ ଗାଇଥିଲା

ମନେ ପଡ଼େ ତାହା ଏବେ—

“ମେଘ ବରଷିଲା ଟପର ଟପର

କେଶୁର ମାଇଲା ଗଜା,

କେଉଁ ରାଇଜରେ ରହିଲେ ମୋ ରଜା

ତେଲିଙ୍ଗି ବାଇଦ ବଜା ।”

 

 

 

 

-୪-

ଟିକି ନୂଆବୋହୂ ଜଳ ଆଣୁ ଆଣୁ

ପାଦ ତାର ଗଲା ଖସି,

ଦେଲେ ପିଲାମାନେ ଦାରୁଣ ଆନନ୍ଦେ

କରତାଳି ହସି ହସି;

ଶଅରୁଣୀଙ୍କର ଜାମୁଡାଳି ନାଚ

କେଳାର ହାବୁଡ଼ା ଖେଳ,

ଭୋଦୁଅ ମାସର ଜହ୍ନିଫୁଲ ଗୀତ

ଖୁଦୁକୁଣୀ−ଓଷା−ମେଳ;

ତାଡ଼କା ରାକ୍ଷସୀ-ବିଶ୍ୱାମିତ୍ର ଋଷି−

ରାମ−ହନୁମାନ−ସାଜ,

ଭୀମ−ଦୁର୍ଯ୍ୟୋଧନ−ଶ୍ରୀକୃଷ୍ଣ−ଅର୍ଜୁନ−

ବେଶ ମନେ ପଡ଼େ ଆଜ ।

 

ସାଧବ ଘରର ଝିଅ କଥା ଆଉ

ରଜାଘର ପୁଅ କଥା,

ଚକୁଳିଆପଣ୍ଡା−କଥା ସଙ୍ଗେ ପୁଣି

ଆନ ଆନ କେତେ କଥା ।

ବାଉଁଶ ବଣର ଭୂତକଥା ଶୁଣି

କାନ୍ଥେ ଦେଖି ନିଜ ଛାଇ,

ବିଲଆଡୁଁ ଶୁଣି ବିଲୁଆଙ୍କ ରଡ଼ି

ପିଣ୍ଡେ ପ୍ରାଣ ଥାଏ ନାହିଁ ।

ଗ୍ରାମଦାଣ୍ଡେ ଗ୍ରାମ−ଦଣ୍ଡୁ ଆସି ଡାକ

ଶୁଣି ସେ ଆତଙ୍କ ବଢ଼େ,

ଘୋର ଭୟ ସଙ୍ଗେ ଘୋର ନିଦ୍ରା ଆସେ

ନିମିଷେ ମୁଁ ଶୋଇପଡ଼େଁ ।

ଘୋର ବରଷାରେ ସେ ଛାଇ−ନିଦ୍ରାରେ

ମୋ ପ୍ରାଣ−ଜନନୀ ଯେବେ

ପିଠି ଆଉଁସିଣ ଗୀତ ଗାଇଥିଲେ

ମନେ ପଡ଼େ ତାହା ଏବେ—

“ମେଘ ବରଷିଲା ଟପର ଟପର

କେଶୁର ମାଇଲା ଗଜା,

କେଉଁ ରାଇଜରେ ରହିଲେ ମୋ ରଜା

ତେଲିଙ୍ଗି ବାଇଦ ବଜା ।”

 

 

 

 

-୫-

ମେଘ ବରଷଇ ବିଜୁଳି ମାରଇ

ପବନ ବହଇ ଖରେ;

ତରୁଣ ଯୌବନେ ପରାଣ−ପ୍ରତିମା

ଛାଡ଼ି ଆସିଅଛି ଘରେ ।

ଭାବର ଆବେଶେ ଦୂର ପରବାସେ

ମନେ ପଡ଼େ ପ୍ରିୟ ଯାହା,

ତାହାରି ସଙ୍ଗେତେ ଦରଶନ ଦିଏ

ଅତୀତ−ଜୀବନ−ଛାୟା ।

 

ଆମ୍ୱ ବଗିଚାରେ ଶିଆରି ଲଟାରେ

ଯେବେ ଦୋଳି ଖେଳୁଥାଇଁ,

ପର୍ବତ ଶିଖରେ ଲଟା ଚରି ମେଘ

ମହାବେଗେ ଆସେ ଧାଇଁ ।

କ୍ରୀଡ଼ା ତେଜି ଶିଶୁ ଦେଇ ହରିବୋଲ

ଦଉଡ଼ି ଯାଆନ୍ତେ ଘରେ,

ଅର୍ଦ୍ଧପଥେ ମେଘ ଗୋଡ଼ାଇ ଧରିଣ

ଟପିଯାଏ ତାଙ୍କୁ ଖରେ ।

କେତେ ହ୍ରଦ ନଦୀ କେତେ ଗିରି ବନ

କେକେ ଘର ଗ୍ରାମ ଡେଇଁ,

ଦେଶଦେଶାନ୍ତରେ ଯାଏ ଚାଲି ମେଘ

କେବଣ ସନ୍ଦେଶ ନେଇ ?

ଦେଖୁଁ ଦେଖୁଁ ମେଘ ଚଉଦିଗେ ଘୋଟେ

ଆଣ୍ଠୁ ଆଣି ହୋଇ ପାଣି

ସ୍ନାନାର୍ଥେ ଆଗତା ସାଧବ ବୋହୂଙ୍କୁ

ଭସାଇ ନିଏ କି ଟାଣି !

 

ଜଳ−ବୁଦ୍‌ବୁଦକୁ ଅନାଇଁ ଅନାଇଁ

ଶୈଶବ−ନିଳୟେ ତେବେ

ବସି ଚାତୁର୍ମାସ୍ୟା−ଗୀତ ଶୁଣିଥିଲି

ମନେ ପଡ଼େ ତାହା ଏବେ—

“ମେଘ ବରଷିଲା ଟପର ଟପର

କେଶୁର ମାଇଲା ଗଜା,

କେଉଁ ରାଇଜରେ ରହିଲେ ମୋ ରଜା

ତେଲିଙ୍ଗି ବାଇଦ ବଜା ।”

 

 

 

-୬-

ପ୍ରଭାତୁଁ ଉଠିଣା ଯାନ୍ତି ଯେଝା ଦୁଃଖେ

ଦୁଃଖୀ ଗ୍ରାମବାସୀମାନେ,

ସାରି ବାସି କାମ ସାତ ପାଞ୍ଚ ମିଳି

ବଧୂମାନେ ଯାନ୍ତି ସ୍ନାନେ ।

 

ହୁଙ୍କା−ବାଲି−ବିଲେ ଫୁଟିଉଠେ ଛତୁ

ଘୋର−ଘନ-ନୀର ପାଇ;

ସାନ ସାନ ପିଲା ଛତୁ ତୋଳୁଥାନ୍ତି

ପ୍ରଭାତରୁ ଉଠି ଯାଇ;

ତୋଟା ବେତବଣେ ବସି ଶାରୀ ଶୁଆ

ହରଷଭରେ ରାବନ୍ତି;

ପକ୍ୱଫଳ ଘେନି ବନ−ମହୋତ୍ସବ

କରନ୍ତି ବାୟସପନ୍ତି ।

ପଲ୍ଲୀ−ଉପବନେ କାଇଞ୍ଚ ଲତିକା,

ସାହାଡ଼ା ତରୁର ତଳେ

ମନେ ଅଛି ସେହି ବାଳମହୋତ୍ସବ

ସଙ୍ଗିବୃନ୍ଦଙ୍କ ଗହଳେ ।

ବିଶ୍ୱାମିତ୍ର ସଙ୍ଗେ ଶ୍ରୀରାମ ଲକ୍ଷ୍ମଣ

ସାଜି କେହି ଚାଣ୍ଡେ ଚାଣ୍ଡେ,

ନାଚି ନାଚି ବାଳେ ଚାଲି ଯାଉଥାନ୍ତି

କି ରଙ୍ଗେ ମିଥିଳାଦଣ୍ଡେ ।

 

ଭୀମ ସାଜି କେହି ବିରାଟ−ରାଜ୍ୟରେ

କୀଚକ ସହିତେ ରଣ

ରଚୁଥିଲେ ପରା କପଟ ଭାବରେ

କ୍ରୀଡ଼ାସଙ୍ଗୀ ଦୁଇ ଜଣ ।

ମାୟାମୃଗରୂପୀ ମାରିଚ ପଛରେ

ଗୋଡ଼ାନ୍ତେ ରଘୁପ୍ରବର;

ମେଘ ପାଣି ଦେଖି ଗୀତ ଗାଇଥିଲେ

ହସ୍ତେ ଧରି ଧନୁଶର—

“ମେଘ ବରଷିଲା ଟପର ଟପର

କେଶୁର ମାଇଲା ଗଜା,

କେଉଁ ରାଇଜରେ ରହିଲେ ମୋ ରଜା

ତେଲିଙ୍ଗି ବାଇଦ ବଜା ।”

 

 

 

-୭-

ଚାତୁର୍ମାସ୍ୟସନ୍ଧ୍ୟ ଆହା କି ମଧୁର ।

ସେ ଛବି ଦର୍ଶନ କରି

ଭାବୁକ−ହୃଦୟେ ଉଛୁଳି ଉଠଇ

ଅସଂଖ୍ୟ ଭାବ−ଲହରୀ ।

ମନେ ଅଛି ସେହି ଶୈଶବର କଥା

ଶୁଭଇ ସେ ଶଦ୍ଦ କାନେ,

ସେ ମଧୁର ଧ୍ୱନି ବାଜିଣ ଉଠଇ

ହୃଦୟ−ତ୍ରିତନ୍ତ୍ରି−ତାନେ ।

ପଶ୍ଚିମ ଗଗନେ ଅସ୍ତ ଯାଉଥିଲା

ନୀରବ ଭାବରେ ଭାନୁ;

ଓହ୍ଲାଇ ଆକାଶୁଁ ଢାଙ୍କିଥିଲା ମେଘ

ଅଭ୍ରଭେଦିଗିରି−ସାନୁ ।

ପଲ୍ଲୀ−ବଧୂଗଣ ନୀର−ଆହରଣେ

ଘେନି ଯାଉଥିଲେ ଗରା;

କୁଉଁ କୁଉଁ କୁଉଁ ବାଜିଲା କେନ୍ଦରା,

ନାଥ ଭିକ୍ଷା ମାଗେ ପରା ।

 

ମିଟି ମିଟି ଆଖି ନୂଆ ବୋହୂଟିଏ

ସଜାଡ଼ୁଥିଲା ଜାଳିଣି;

ବାଡ ଉହାଡ଼ରୁ କୁଆମଇତାଟି

ତୋଳୁଥିଲା ତା ସଙ୍ଗିନୀ ।

ତାଳ ବାହୁଙ୍ଗାରେ ଲୁଚି କୁମ୍ଭାଟୁଆ

ରାବୁଥିଲା ହୁଉଁ ହୁଉଁ;

ଝିପି ଝିପି ମେଘ ବରଷି ଆସିଲା

ଦେଖୁଁ ଦେଖୁଁ ଦୁମୁ ଦୁମୁ ।

ବାୟା ମେଘ ଦେଖି ବାୟା ପରି ହୋଇ

ନାଚି ନାଚି ଶିଶୁମାନେ

କରତାଳି ଦେଇ ଗୀତ ଗାଇଥିଲେ

ଘୋର ଉଚ୍ଚ ତାନମାନେ—

“ମେଘ ବରଷିଲା ଟପର ଟପର

କେଶୁର ମାଇଲା ଗଜା,

କେଉଁ ରାଇଜରେ ରହିଲେ ମୋ ରଜା

ତେଲିଙ୍ଗି ବାଇଦ ବଜା ।”

 

 

 

 

-୮-

ବିଲ, ତୋଟା, ପାଟ, ବାଟ, ଘାଟ ସର୍ବ

ଯାଇଥିଲା ପୂରି ଜଳେ,

ଦୂରୁ ଶୁଭୁଥିଲା କୃଷକ−ଗୋପାଳ−

ଗୀତ−ଲହରୀ ଚହଳେ ।

ଘନ−ନୀର−ସିକ୍ତ ମଥାନ ଭେଦିଣ

ଉଠୁଥିଲା ଧୂମ ଘନ;

ଗ୍ରାମ ବଡ଼ଦାଣ୍ଡ ଆଡ଼ୁଁ ଶୁଭୁଥିଲା

କୋକିଶିଆଳିଙ୍କ ସ୍ୱନ ।

ପଲକେ ପଦୋଷ ଉଭେଇଣ ଗଲା

ଘୋଟିଲା ଘୋର ଅନ୍ଧାର;

କିଏ କେଉଁ ଆଡ଼ୁଁ ଫେରିଲେ ଉଦବେଗେ

ନିଳୟେ ଯେହୁ ଯାହାର ।

 

ଭାଗବତ ଘରେ ରାମାୟଣ ପୋଥି

ଗାଉଥିଲେ ପୁରୋହିତ;

ଘୋର ବରଷାରେ ଅଶୋକ ବନରେ

ସତୀ ବୈଦେହୀ−ଚରିତ ।

ଭାଗୀରଥୀ−ତୀରେ ଗହନ କାନ୍ତାରେ

ଦେବର ଲକ୍ଷ୍ମଣ ଥରେ;

ରଥଁ ଅବତାରି ସୀତାଙ୍କୁ ଏକାକୀ

ତେଜି ଫେରିଲେ ନଗରେ ।

ପ୍ରଥମ ଯାମରେ ଗାଁଆ ତଳ ବିଲେ

ବେଲବଣ−ଅଭିମୁଖେ

ନୈସର୍ଗିକ ଘଣ୍ଟା ବଜାଇ ଉଠିଲେ

ଶିବାଗଣ ହୁକେ ହୁକେ ।

 

ଭାଗବତ ଘରୁ ମାତାଙ୍କ ସଙ୍ଗରେ

ଫେରିଗଲା ଶିଶୁ ଘରେ,

ନୂଆବୋହୂ ପାଶେ ବସି ବର୍ଷାଗୀତ

ଗାଇଲା ଚୁଲ୍ଲି−ମୁଣ୍ଡରେ—

“ମେଘ ବଲଥିଲା ତପଲ ତପଲ

କେଥୁଲ ମାଇଲା ଗଦା,

କୋଉ ଲାଇଦଲେ ଲଇଲେ ମୋ ଲଦା

ତେଲିଙ୍ଗି ବାଇଦ ବଦା ।”

 

 

 

ଅଦିନ ମେଘ

ମଧୁମାସ ଶେଷେ ବଇଶାଖ ମାସେ

ବରଷେ ଅଦିନ ମେଘ

ତା ଦେଖି ଶିଶୁଏ ଗୀତ ଗାଉଥାନ୍ତି

ଚିତ୍ତେ ଅତି ଉଦବେଗ ।

 

ପାଣି ସଙ୍ଗେ ପଡ଼େ ସ୍ୱରଗ ପଥର

ତା ଦେଖି ବାଳକମାନେ,

ସାଉଣ୍ଟି ଖାଇଣ, ଗୀତ ଗାଉଥିଲେ

ଘୋର ଉଚ୍ଚ ତାନମାନେ—

“ଖରା କରୁଅଛି ମେଘ ବରଷୁଛି

ବିଲୁଆ ହେଉଛି ବାହା !”

ଅଦିନ ବରଷା କେଡ଼େ ଶୋଭାବନ

କି ବିଚିତ୍ର ଲୀଳା ଆହା !

କାହୁଁ ଆସିଲୁରେ ଅକାଳ ବରଷା

କିପାଇଁ ଦେଲୁ ତୁ ଦେଖା ?

ତୋ ଆସିବା ବାର୍ତ୍ତା ଦେଇ ତ ନ ଥିଲା

ଋୁତୁ−ଚକ୍ର−ବିଧି ଲେଖା ।

 

ତୋ ଦର୍ଶନେ ଶୁଭେ ମେଘରେ ମୋ କର୍ଣ୍ଣେ

କାହାର ଦୂର ଆହ୍ୱାନ ?

ଅତୀତ ରାଜ୍ୟର ଅସ୍ପଷ୍ଟ ମୂରତି

ପରଶେ ମୋର ପରାଣ !

ବିଷାଦର ଛାୟା ପତିତ ହୁଅଇ

ହୃଦକ୍ଷେତ୍ରେ ଘନ ଘନ,

ବିଗତ ଜନ୍ମର ସୁଖସ୍ମୃତି ଅବା

ଅଲକ୍ଷ୍ୟେ ଦହେ ମୋ ମନ ।

କି ଅବା ଦୂରସ୍ଥ ପ୍ରାଣବନ୍ଧୁ କେହି

ମନେ କରେ କଥା ମୋର,

ଗପତେ ମୋ ଆତ୍ମା ବିଦଗ୍‌ଧ କରୁଛି

ସେ ସ୍ମୃତି ଗୁପତ ଚୋର ।

ଚିନ୍ତାର୍ଣ୍ଣବେ ବୁଡ଼େ ମନ−ମୀନ ମୋର

ତୋତୋ ଦେଖି ନବଘନ,

କାହିଁ ବସି କିଏ ଗାଇଲା ସଙ୍ଗୀତ

ଭାବରେ ବିଭୋର ମନ,—

“ଡିବି ଡିବି ବାଜେ ଯୋଡ଼ି ନାଗରା ହୋ

କାଉ ଡାକେ କାଆ କାଆ,

ଖରା କରୁଅଛି ମେଘ ବରଷୁଛି

ବିଲୁଆ ପୁଅର ବାହା ।”

 

ବର୍ଷା ମଙ୍ଗଳ

-୧-

ନିୟତି ନିଗୂଢ଼ ନିଦେଶେ ନିଦାଘ

ବିସର୍ଜି ଗଲା ଏ ଧରା,

ଅଦୃଶ୍ୟ ଭାବରେ କେଣେ ଲୁଚିଲା ସେ

ନିଦାଘ ନିରାଟ ଖରା ?

ତ୍ରିଦିବ ଧାମରୁ ଓହ୍ଲାଇ ପ୍ରାବୃଟ

ବେଢ଼ିଲା ନଭ ଭବନ

ଘୋର ରଣେ ହାରି ଗଗନ ବରଜି

ଭୟୋ ଲୁଚିଲେ ତପନ ।

ଦାରୁଣ ନିଦାଘ−ତାପେ ବସୁନ୍ଧରା

ଥିଲା ମୃତକଳ୍ପା ହୋଇ,

ଅଦୃଶ୍ୟ ବିଦେଶୁଁ ବାହୁଡ଼ି ପ୍ରାବୃଟ

ଦେଲା ତପ୍ତ ତନୁ ଧୋଇ ।

ସଞ୍ଜୀବନ−ମନ୍ତ୍ର ପଢ଼ି ସୁଧା ବର୍ଷେ

ସ୍ୱର୍ଗଦୂତ ନୀରଦର,

କି ଆହ୍ଲାଦେ ପିଏ ସେ ସୁଧା ବସୁଧା

ସଞ୍ଚାଳି ବିଟପି−କର !

ପ୍ରସୂନ ମଳୟ ରକ୍ତ କିଶଳୟ

ଗହଣେ ଆସଇ ମଧୁ,

ସହକାରକୁଞ୍ଜେ ପିକବର ସଙ୍ଗେ

କୁହରଇ ପିକ−ବଧୂ ।

 

ଶାରଦ ଆକାଶେ ବିମଳ ଚନ୍ଦ୍ରିକା

ଆହା କିବା ମନୋଲୋଭା !

ଉତ୍‌କ୍ଷିପ୍ତ ପରାଣେ ଉନ୍ମତ୍ତ ଆହ୍ଲାଦେ

ପିଏଁ ମୁଁ ସେ ଚାରୁ ଶୋଭା ।

ସୁଖର ବସନ୍ତ ଶରଦ ହେ ବର୍ଷା

ସୁଖୀପାଇଁ ସେହି ଶୋଭା,

ବିଷାଦ−ଜନନୀ ତୋହରି ମୂରତି

ଦୁଃଖୀ−ଦଗ୍‌ଧମନୋଲୋଭା ।

ସୁଗମ୍ଭୀର ମନ୍ଦ୍ରେ କି ବିଷାଦ−ଗୀତି

ଗାଅ ହେ ପ୍ରାବୃଟ କବି ?

ଅନନ୍ତ ପ୍ରଣବ ଗମ୍ଭୀର ଝଙ୍କାରେ

ରଟେ ତବ ସାନ୍ଦ୍ର ଛବି ।

 

-୨-

ନବ ପ୍ରାବୃଟର ପୃଷତରେ ଆର୍ଦ୍ର

କ୍ଷିତିର ସୁରଭି ଗନ୍ଧ

ବହିଣ ବହଇ ମନ−ବିନୋଦନ

ଗନ୍ଧବହ ମନ୍ଦ ମନ୍ଦ ।

ସେ ରଜ ସୁବାସ ବିକୀରଇ ବାତ

ଭ୍ରମି ଭ୍ରମି ଦିଶେ ଦିଶେ,

ନୀରଦ−ରଜାଙ୍କୁ ଧରଣୀ−ରାଣୀର

ଅର୍ଘ୍ୟ ଧୂପ ଗନ୍ଧ କି ସେ ?

ନୀରରେଖାବିଦ୍ଧ ଶୁଷ୍କରଜବୃନ୍ଦ

ଯାଉଅଛି ଉଡ଼ି ଉଡ଼ି,

ସେ ରଜ ସଂସ୍ପର୍ଶେ କିବା ଶୋଭାବନ

ଦିଶଇ ପାଣିକେନ୍ଦୁଡ଼ି ।

ନବ ନୀରଧର−ନୀରପାନେ ବ୍ୟସ୍ତ

ଶାଖାଗଣ ହଲି ହଲି,

ସ୍ୱାଗତ ହେ ବର୍ଷା !’ ବୋଲିଣ କର କି

ସଞ୍ଚାଳନ୍ତି ଦ୍ରୁମାବଳୀ ?

 

ଝିପି ଝିପି ପଡ଼େ ବରଷାର ନୀର

ସୁଲୁ ସୁଲୁ ବହେ ବାୟୁ,

‘କାଆ କାଆ’ ବସି ରାବ ଦେଉଅଛି

ବନସ୍ପତି ଡାଳେ କାଉ ।

ବଂଶ−ଉପବନୁ ଡାକଇ ଡାହୁକ

ଦର୍ଦ୍ଦୁର ରବେ ସେ ମିଶି,

କୁମ୍ଭାଟୁଆ ଡାକ ସହ ସେ ଶବଦ

ସଞ୍ଚରଇ ଦିଶି ଦିଶି ।

ଘନକୃଷ୍ଣ ନଭେ ନବ ନୀରଦର

ଦର୍ଶନେ ନୃତ୍ୟ ଉତ୍ସବେ

ବନ ପର୍ବତରେ ମୟୂର ମୟୂରୀ

ଡାକନ୍ତି ଷଡ଼ଜ ରବେ ।

 

କଳକଳନାଦେ ବହେ ସ୍ରୋତସ୍ୱିନୀ,

ବକ୍ଷେ ପଡ଼େ ତାର ବାରି,

ପାହାଡ଼ିଆ ରାଗ ଛାଡ଼ି ନାଉରିଆ

କରୁଛି ପଝାରି ପାରି ।

 

 

 

-୩-

ନିଦାଘ−ରିପୁକୁ ଘଉଡ଼ାଇ ଘନ

ବିବାହ କରେ କି ରଙ୍ଗେ

ଲକ୍ଷ୍ମୀଦେବୀଙ୍କର ପ୍ରଭବ ଉଦ୍ଦେଶେ

ଧରଣୀ−ରମଣୀ ସଙ୍ଗେ ?

ବରଷା ଋତୁରେ ବରଷେ ଆସାର,

ପୂରଇ ବିଲ ପୋଖରୀ,

ନୀର−ଆସ୍ତରଣେ ବସନ୍ତି କମଳା

ଶ୍ୟାମଳ ମୂରତି ଧରି ।

ନଭେ କାଦମ୍ୱିନୀ କୋଳେ ଇରମ୍ମଦ

ହେମପ୍ରଭା ଜିଣି ଦିଶେ,

ତ୍ରିଦିବ−ଦେବତା ସୁନାଶିରଙ୍କର

କନକ−କାର୍ମୂକ କି ସେ ?

ବ୍ରହ୍ମାଣ୍ଡ−ମଣ୍ଡଳ କମ୍ପାଇ ଦେଉଛି

ବଜ୍ର ମନ୍ଦ୍ର ଘଡ଼ଘଡ଼ି,

ଦିଗ୍‌ବଳୟ ପାରେ ମିଳାଇ ଯାଇଛି

ଚଉଦିଗ ରଡ଼ମଡ଼ି ।

ଦୂର ବନସ୍ଥଳୀ ଡାକ ଦେଉଅଛି

ଘନଘୋଷେ ‘ଘୋଓ ଘୋଓ’,

କି ବିଚିତ୍ର ସାଜେ ସାଜିଛି ପ୍ରକୃତି

ଫେଡ଼ି ନେତ୍ର ଚାହାଁ ହୋଓ ।

ଗିରି−ଗହନରେ ଝରଇ ନିର୍ଝର

ଝର୍ଝର ଶୁଭଇ ଧ୍ୱନି,

ଗଭୀର ଗହ୍ୱରେ ଗିରିକନ୍ଦରରେ

ଶୁଭେ ଘୋର ପ୍ରତିଧ୍ୱନି ।

ରବି ପ୍ରତିମୁଖେ ଦିଶେ ଇନ୍ଦ୍ରଧନୁ

ବର୍ଣ୍ଣଛଟା ରମେ ଚକ୍ଷୁ,

ଶତ ଇନ୍ଦ୍ରଧନୁ ଝଲସି ଉଠଇ

ଚଳ ନିର୍ଝରର ଚକ୍ଷୁ ।

ଫେଡ଼ି ସୁରବାଳା ଇନ୍ଦ୍ରନୀଳ−ଦ୍ୱାର

ଯୁକ୍ତସୁବର୍ଣ୍ଣ ତୋରଣ

ଅର୍କ ବାରିଦର ବିଚିତ୍ର ଆହବ

ସ୍ୱର୍ଗୁଁ କରନ୍ତି ଦର୍ଶନ ?

 

-୪-

ଅତି ପ୍ରତ୍ୟୁଷରୁ ଜନପଦ−ବଧୂ

ଶୁଣି ତାମ୍ରଚୂଡ଼ ସ୍ୱନ

ତିନ୍ତି ବରଷାରେ ସାରି ନିତ୍ୟକର୍ମ

ସ୍ନାନେ କରନ୍ତି ଗମନ ।

ପଲ୍ଲୀ−ଉପବନେ ବଂଶ−ନିକୁଞ୍ଜରେ

ବକୁଳବୃକ୍ଷର ମୂଳେ

ଲାବଣ୍ୟ−ପସରା ଚାରୁଅଙ୍ଗୀଗଣ

ପଲ୍ଲୀ−ପୁଷ୍କରିଣୀ−କୂଳେ

ବିଶ୍ରବ୍‌ଧ ଚିତ୍ତରେ ହେମ−ଗୌର−ଅଙ୍ଗେ

ବସି ହରିଦ୍ରା ଲେପନ୍ତି,

ପୂର୍ବ ତପସ୍ୟାର ଫଲ ପାଆନ୍ତି କି

ସରସୀ−ସୋପାନପନ୍ତି ?

ସରସୀ ତଟରୁ ଅନାଇ ସୁନ୍ଦରୀ

ପିତୃଗୃହ−ଅଭିମୁଖେ

ବାଲ୍ୟ−ନିଳୟର ସୁଖଶାନ୍ତି ଚିନ୍ତି

ନିଃଶ୍ୱାସ ଛାଡ଼ନ୍ତି ଦୁଃଖେ ।

ପ୍ରଭାତୁଁ ଉଠିଣ ଯେ ଯାହା ଦୁଃଖରେ

ଖରେ କରନ୍ତି ଗମନ

ତାଳ−ଆତପତ୍ର ମସ୍ତକେ ଧରିଣ

ଦୁଃଖୀ ଗ୍ରାମବାସୀଗଣ ।

 

ବରଷା−ବିପାକେ ବଢ଼େ ସ୍ରୋତସ୍ୱତୀ

ମାଡ଼ଇ ସ୍ରୋତ ପ୍ରଖର,

ଦେଖୁଁ ଦେଖୁଁ ଜଲ ପ୍ରବେଶେ ସରସ

ବିଲ, ବାଡ଼ି ଦ୍ୱାର, ଘର ।

‘ସୁପକ୍ୱ ଶାଳୀକୁ ଭସାଇ ନିମଗ୍ନା,

କେଣେ ଘେନି ଚାଲିଯାଉ,

ସୁଦୀନ କୃଷକ−ସଙ୍ଗେ ବାଦ ସାଧି

ଛି ଛି କେଉଁ ଯଶ ପାଉ ?

ଭୁଞ୍ଜିଲା ଅନ୍ନରେ ଭସ୍ନ ନିକ୍ଷେପିଣ

ଦେଖାଉ କେଉଁ ମହତ୍ତ୍ୱ ?’

ଆହେ ସୃଷ୍ଟିକର୍ତ୍ତା ବିଷମ ସମସ୍ୟା

ତୁମ୍ଭର ଏ ସୃଷ୍ଟିତତ୍ତ୍ୱ !

 

-୫-

ପ୍ରାବୃଟ ଯାମିନୀ ହୃଦପ୍ରହ୍ଲାଦିନୀ

ବିବିଧ ସ୍ୱରେ ସଙ୍ଗୀତ

ଧ୍ୱନି ସଙ୍ଗେ ଗାଇ ସଖୀ ପ୍ରତିଧ୍ୱନି

ହରଇ ଭାବୁକ−ଚିତ୍ତ ।

ଷଡ଼ରାଗ ସଙ୍ଗେ ଛତ୍ରିଶ ରାଗିଣୀ

ଶୁଣଇ କଳ୍ପନା ନାରୀ,

ନିଜବଳେ ଯୋଷା ଧରିତ୍ରୀ ଗଗନ

ପଲକେ ହୁଅଇ ପାରି ।

ଅପାର୍ଥିବ ରାଜ୍ୟେ କରି ବିଚରଣ

ଶୁଣେ ଅପାର୍ଥିବ ବାଣୀ,

ନିଜଭାବେ ନିଜେ ବିଭୋର ହୋଇ ସେ

ନିଜ ରାଜ୍ୟେ ହୁଏ ରାଣୀ ।

ସୁଦୂର ପଲ୍ଲୀରେ ତମିସ୍ରା ନିଶାରେ

ଘୋର ନିଶୀଥ କାଳରେ

ଶୁଭେ ଝିଲ୍ଲୀସ୍ୱନ ନିଶାର ଗର୍ଜ୍ଜନ,

ସୁଷୁପ୍ତ ଯେ ଯାହାଘରେ ।

 

ମଥାନ ଉପରେ ଲତା ପଲ୍ଲବରେ

ଥପ ଥପ ପଡ଼େ ନୀର,

ଶୁଣି ତା ବିରହ−ବିଧୁରା ଲଳନା

ବିଚ୍ଛେଦ−ଦୁଃଖେ କାତର ।

ସୁନୀଚ କୁଟୀର ପ୍ରକୋଷ୍ଠ କୋଣରେ

ମିଞ୍ଜି ମିଞ୍ଜି ଜଳେ ଦୀପ,

କାନ୍ଦୁଛି ବିକଳେ ନବୀନା ତରୁଣୀ

ନିଭିଛି ତା ସୁଖ−ଦୀପ ।

ଜୀବନ−ବସନ୍ତେ ପ୍ରଣୟୀ ତାହାର

ଯାଇଅଛି ଚାଲି କାହିଁ,

ବିଧବା−ଯୁବତୀ−ହୃଦୟ−ବେଦନା

ଦେଖୁ ନା ବିଶ୍ୱସାଇଁ ?

 

ଚିରଦୁଃଖିନୀକୁ କେଉଁ ଉଦ୍ଦେଶ୍ୟରେ

ସୃଜିଲ ବ୍ରହ୍ମାଣ୍ଡପତି ?

ଅଜ୍ଞାନ ନର ମୁଁ କେମନ୍ତେ ବୁଝିବି

ତୁମ୍ଭ ବିଶିସୃଷ୍ଟି−ଗତି !

 

ଅତୀତ ଚିନ୍ତା

କି ଅପୂର୍ବ ପ୍ରହେଳିକା ମାନବଜୀବନ,

କି ଗଭୀର ରହସ୍ୟ ଏ ମନୁଷ୍ୟର ମନ ।

ବସିଅଛି ଏବେ ମୁହିଁ ନିଶ୍ଚଳେ ନିର୍ଜନେ,

କେତେ ଭାବୋଚ୍ଛ୍ୱାସ ଆହା ଉଠଇ ମୋ ମନେ !

ଅତି କ୍ଷୁଦ୍ର ଅଟେ ଏ ଯେ ପରାଣ ମୋହରି,

ଉଛୁଳି ପଡ଼ଇ ଏଥି ଭାବର ଲହରୀ ।

କେତେ ଭାବ ଲୁଚିଥିଲେ ବିସ୍ମୃତି ଗରଭେ,

ଆସି ଏବେ ଦେଲେ ଦେଖା ମୋର ସ୍ମୃତିନଭେ ।

ବିକଳ ବିହ୍ୱଳ ଚିତ୍ତ ଏସନ ଭାବଇ,—

ଅତୀତ ନାମରେ ରାଜ୍ୟ ସୁଦୂରେ ଶୋଭଇ ।

ମନ ବିନା ଆନ ପାଇଁ ନାହିଁ ତହିଁ ପଥ,

ଯାଇ ପାରେ ମନ ତହିଁ ଚଢ଼ି ଚିନ୍ତାରଥ ।

ଦେଖି ପାରେ ମନ ହୃତ ନୟନପ୍ରତିମା,

ଭୁଞ୍ଜି ପାରେ ମିଳନର ମୃଦୁ ମଧୁରିମା ।

କାଳବଳେ ଯାହା ତେଜି ଯାଇଛି ସଂସାର,

ଅତୀତ ବିଦେଶେ ମନ ପାଏ ଭେଟ ତାର ।

କିନ୍ତୁ ସେହି ସ୍ମୃତିରଥେ ଚଢ଼ି ସେ ମନୁଆ

ପେରିଆସି ସଂସାରକୁ ହୁଏ କୁଆବୁଆ ।

ଯାଇଥାଏ ମନ ରଖି ଶରୀର ସଂସାରେ,

ଜଡ଼ପିଣ୍ଡମାୟା ତାକୁ ସବଳେ ଓଟାରେ ।

ତହିଁ ପାଇ ନର ମନ ବିସୋରି ସଂସାରେ,

ପ୍ରିୟ−ସମାଗମ−ସୁଖ ଭୁଞ୍ଜିଣ ନ ପାରେ ।

ସେ ରାଜ୍ୟେ ଥାଆାନ୍ତା ଯେବେ ସଦେହ ପ୍ରବେଶ,

ଧରାପୃଷ୍ଠେ ନ ଥାନ୍ତା ତ ବିଷାଦର ଲେଶ ।

 

ଆରେ ରେ ଅତୀତ ! ତୁହି କି ଦାରୁଣ ଚୋର,

ଜୀବନର କେତେ ସୁଖ ହରିଛୁ ତୁ ମୋର ।

ଯେତେ ଯେତେ ରତ୍ନ ମୋର ରଖିଛୁ ଲୁଚାଇ,

କୃପା କରି ତହୁଁ କିଛି ଦେବୁ କି ଫେରାଇ ?

 

ବାଲ୍ୟସ୍ମୃତି

ସରଳା କୁମାରୀକୁଳ କହିଣ କାହାଣୀ

ହସି ଖେଳି ଦେଖାଇଲେ କି ମୋହନ ଠାଣି ।

ସୁଖର ସେ ହାଟ ଏବେ ଭାଙ୍ଗିଯାଇଅଛି,

କେଉଁ ଆଡ଼େ କିଏ କେବେ ଚାଲିଯାଇଅଛି ।

ସଧବା ସିନ୍ଦୂର ଟୋପା ଥିଲା ଯେ ମସ୍ତକେ,

ଶିରେ ମଥାମଣି ଚାରୁ ବେଣୀ ଯା ଅଳକେ,

କଣ୍ଠେ ହେମହାର କରେ ବଳୟ ମଧୁର,

ନିତମ୍ୱରେ କାଞ୍ଚି ଦାମ ଚରଣେ ନୂପୁର,

ହେମବକ୍ଷ ସୁବାସତ ଚନ୍ଦନେ ଚର୍ଚ୍ଚିତ

ମହକାଇ ଦେଉଥିଲା ଦର୍ଶକର ଚିତ୍ତ

ଷୋଳକଳା ଥିଲା ଯହିଁ ସଧବାଲକ୍ଷଣ,

ସଦର୍ପେ ବୈଧବ୍ୟ ତହିଁ କରେ ରାଜପଣ ।

କାହିଁ ଗଲା ଆହା ସେହି ସୁଖର ଭୁବନ,

ଲାଗଇ ସେ ମୋତେ ଯେହ୍ନେ କାଲିର ସ୍ୱପନ ।

 

କାକ ବାରତା

-୧-

ଡାମରାକାଉରେ ଡାମରା କାଉ,

ଉଞ୍ଚ ପରବତେ ବୋବାଉଥାଉ ।

ଉଞ୍ଚ ପରବତ ଘୁଞ୍ଚିଘୁଞ୍ଚିକା,

ତହିଁରେ ବସିଛି ତିନିମଞ୍ଜିକା ।

ତିନି ତିନି ପଣ ଅଠର ପଣ,

ଭାଇଙ୍କି ଡକାଇ କଉଡ଼ି ଗଣ ।

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

ଆସ ଗୋ ସଙ୍ଗାତ ଗାଧୋଇଯିବା,

କାଇଞ୍ଚିକାକୁଡ଼ି ତୋଳି ଆଣିବା ।

କାଇଞ୍ଚିକାକୁଡି ମୁଣ୍ଡରେ ପିତା,

ଛଅ ବୋହୂଙ୍କର ଛଅ ଦୁହିତା

କାଳେ ଛଅ କନ୍ୟା ଯୁବତୀ ହେଲେ

ଛଅ ବର ଆସି ତାହାଙ୍କୁ ନେଲେ ।

କାନ୍ଦନ୍ତି ବିକଳେ କହିଣ ମାତା—

“ନିଷ୍ଠୁର ଅଟଇ ତୋ ବିଧି ଧାତା ।”

ଡାମରାକାଉରେ ଡାମରାକାଉ,

ଜନନୀ ନିକଟେ କି ଗୀତ ଗାଉ ?

ଏ ମାୟା−ସଂସାର−ତତ୍ତ୍ୱ−କାହାଣୀ

କହୁ କି ରେ କାକ ତହିଁ ବଖାଣି ?

“ସଂସାର ଅଟଇ ବିଷମ ମାୟା;

କାୟା ଛଳେ ତାହା ଅସାର ଛାୟା ।”

ଡାମରାକାଉ ରେ ଡାମରାକାଉ,

ସତ ମିଛ କହି କି ଯଶ ପାଉ ?

 

-୨-

ଡାମରାକାଉ ରେ ଡାମରାକାଉ,

ବନ ପର୍ବତରେ ତୁ ରାବୁଥାଉ ।

ସେ ବନ ପର୍ବତ କୁଞ୍ଚିକୁଞ୍ଚିକା,

ଲୋଟଇ ତା ଶିଖେ ବନ ଲତିକା ।

 

ଫୁଟେ ଲତା−ଅଙ୍ଗେ ସଜ ସୁମନ,

ବହେ ଦକ୍ଷିଣରୁ ମନ୍ଦ ପବନ ।

ତୁନି ତୁନି ହୋଇ ପବନ ଲତା,

କେତେ ସୁହାଗରେ କହନ୍ତି କଥା ।

ସେ ନିର୍ଜ୍ଜନ ଦେଶେ ମନ୍ଦ ପବନ,

ପୁଷ୍ପ ଚାରୁଗଣ୍ଡେ କରେ ଚୁମ୍ୱନ ।

ଗୁଣୁ ଗୁଣୁ ସ୍ୱନେ ଆସେ ଭ୍ରମର,

ମଞ୍ଜୁ ଗୁଞ୍ଜେ ପୁଷ୍ପେ କରେ ଆଦର ।

ଗିରି−ନିର୍ଝରିଣୀ ଗିରି−କନ୍ଦରା,

ପ୍ରସାରନ୍ତି ତହିଁ ଶୋଭାପସରା ।

ନିରେଖି ନିର୍ଝରେ କିପାଁ ରେ କାଉ,

ଉଚ୍ଚେ ଘନ ଘନ ତୁ ରାବୁଥାଉ ?

 

ମଳୟ−ପବନ−କୁସୁମ−ଭାବ

କହିଣ ମଧୁପେ ଦେଉ କି ରାବ ?

“ବୃଥା ପ୍ରେମେ ଅଳି ଭୁଲୁ କାହିଁକି,

ସର୍ବେ ସ୍ୱାର୍ଥପର ଜାଣୁ ନାହିଁକି ?

ନିଜସୁଖ ସର୍ବେ ଲୋଡ଼ନ୍ତି ଭବେ,

ପର ନେତ୍ରେ ଧୂଳି ଦିଅନ୍ତି ଲବେ ।’’

ଅବିଶ୍ୱାସ−କଥା ଶୁଣି ତୋ ମୁଖେ,

ମ୍ରିୟମାଣ ହୁଏ ଦ୍ୱିରେଫ ଦୁଃଖେ ।

ସାତ ପାଞ୍ଚ ପାଞ୍ଚ ତେଜି ସୁମନେ

ଯାଏ ଉଡ଼ି କାହିଁ ବିରସ ମନେ ।

ଡାମରାକାଉ ରେ ଡାମରାକାଉ,

ସତ ମିଛ କହି କି ଯଶ ପାଉ ?

 

-୩-

ଡାମରାକାଉ ରେ ଡାମରାକାଉ,

ଗହନକାନ୍ତାରେ ତୁ ରାବୁଥାଉ ।

ପ୍ରାବୃଟରେ ବନ ନବୀନ ଛବି

ଧରେ ଯା, ନ ବର୍ଣ୍ଣି ପାରଇ କବି ।

 

ନୀଳ ନଭେ ଦେଖି ନବ ନୀରଦ,

ଉଚ୍ଚେ ବର୍ହୀ ଛାଡ଼େ ଷଡ଼ଜ ଶଦ୍ଦ ।

ଉତ୍‌ପୁଚ୍ଛ−କଳାପି−ଆନନ୍ଦ−ସ୍ୱନ

ଶୁଣିଣ ମୟୂରୀ ହୁଏ ଉଚ୍ଛନ୍ନ ।

ଗହନ ଅରଣ୍ୟ ପ୍ରକୃତି ଶୋଭା

ସଂସାରବିରାଗିନୟନଲୋଭା ।

ନିଘଞ୍ଚ ନିକୁଞ୍ଜ−ଗହନ−ବନେ

କ୍ରୀଡ଼େ ନିର୍ଜନତା ନିବିଷ୍ଟ ମନେ ।

ବିଗତ ଯୁଗରୁ ରାଜେ ସରସୀ,

ହସେ ସରୋଜିନୀ ତା ଅଙ୍କେ ବସି ।

ବିକଚ−କମଳ−କୋଷ−କାସାର

କି ସେ ପଦ୍ମାଳୟା−ଛାୟା−ଆଧାର ?

 

ସରସୀ ସକାଶେ ମୃଗଦମ୍ପତି

ଭୁଞ୍ଜନ୍ତି ମଧୁର ପ୍ରେମ−ସମ୍ପତ୍ତି ।

ମୃଗେ ମୃଗବଧୂ ଲୋଳ ଲୋଚନା

ବୋଲଇ “ହେ କାନ୍ତ, ପାଶୁଁ ଯାଆ ନା ।”

ପିତୃକୁଳ ତେଜି ଧାଏଁ ତଟିନୀ

ହେବାକୁ ସୁଦୂର ସିନ୍ଧୁ ସଙ୍ଗିନୀ ।

ତଟିନୀତଟରେ ତୁଙ୍ଗ ବିଟପୀ

ଉଭା ଘନ ଗୁଳ୍ମ ଲତାକୁ ଟପି ।

ପାଦତଳେ ତାର ସ୍ୱପତିରତା

ଲୋଟଇ ଲଳିତ ଲବଙ୍ଗଲତା ।

ଲତାଯୁକ୍ତ ସେହି ଉତ୍ତୁଙ୍ଗ ବୃକ୍ଷେ

ରଥାଙ୍ଗ ମିଥୁନ କ୍ରୀଡ଼ନ୍ତି ସୁଖେ ।

ଅଦୂରଦର୍ଶିନୀ ପ୍ରେମଗର୍ବିଣୀ

ରଙ୍ଗେ ନାଚେ ଚକ୍ରବାକ−ଗୃହିଣୀ ।

ଡାମରା କାଉରେ ଡାମରାକାଉ,

ସେ ପ୍ରେମରାଜ୍ୟେ ତୁ କି ଗୀତ ଗାଉ ।

 

ପ୍ରେମାନ୍ଧ ଦମ୍ପତି ହୃଦୟ ଜାଣି

ବର୍ଣ୍ଣୁ କି ରେ କାକ ତତ୍ତ୍ୱକାହାଣୀ ?

“ଆହା କି ଭ୍ରାନ୍ତିରେ ପୂର୍ଣ୍ଣ ଜଗତ,

କିପାଇଁ ସଂସାରୀ ଏତେ ଉଷତ !

ଯାଉଛି ପ୍ରାବୃଟ ଆସେ ଶରଦ,

ରହିବ ନାହିଁତ ବର୍ହି−ଆନନ୍ଦ ।

ଆସିବ ବାସର ଅନ୍ତେ ଯାମିନୀ

ହସିବ କି ସେ କାଳରେ ପଦ୍ମିନୀ ?

ନିଷାଦ ବାଗୁରା ଯେବେ ପାତିବ,

ହରିଣୀକୁ ଛାଡ଼ି ହରିଣ ଯିବ ।

ଧାଏଁ ନଦୀ ସିନ୍ଧୁ−ପ୍ରଣୟେ ବାଇ,

ସେ ତାକୁ ଫିଙ୍ଗଇ ଉର୍ଦ୍ଧ୍ୱେ ଉଠାଇ ।

ବିଟପି−ଅଙ୍ଗରେ ଲତା ଲୋଟଇ,

ବାତେ ସେ ତାହାକୁ ତଳେ ଫିଙ୍ଗଇ ।

ଦିନାନ୍ତେ ଆସିବ ଯହୁଁ ରଜନୀ,

କି କରିବ ଚକ୍ରବାକ−ଘରଣୀ ?”

ଡାମରାକାଉ ରେ ଡାମରାକାଉ,

ସତ ମିଛ କହି କି ଯଶ ପାଉ ?

 

-୪-

ଡାମରାକାଉ ରେ ଡାମରାକାଉ,

ସୁଦୂର ପ୍ରାନ୍ତରେ ତୁ ରାବୁଥାଉ ।

ଦାରୁଣ ନିଦାଘେ ଘୋର ପ୍ରାନ୍ତରେ

ମଧ୍ୟାହ୍ନରେ ପାନ୍ଥ ଗମଇ ଖରେ ।

ପ୍ରିୟ ପରିଜନେ ଦେଖି ନୟନେ

ପରାଣ ତୋଷିବ ଏ ଭବବନେ ।

ଗହ ଗହ ପାଟ ମାଡ଼ଇ ଡର,

ମଡ଼ ମଡ଼ ଶୁଷ୍କ ପତ୍ର ବୃକ୍ଷର ।

ନିରାଟ ସେ ଦେଶ, ନ ମିଳେ ଜଳ,

ହସି ମୃଗତୃଷ୍ଣା ଦେଖାଏ ଛଳ ।

 

ଧୂଉ ଧୂଉ ବହେ ତପତ ବାୟୁ,

ତା ପରଶେ ତୁଟେ ପ୍ରାଣିର ଆୟୁ ।

ପରିଶ୍ରାନ୍ତ ପାନ୍ଥ କରେ ବିଶ୍ରାମ,

ତୁଣ୍ଡେ ନିଏ ବାରେ ଶ୍ରୀହରିନାମ ।

ଚୂତବୃକ୍ଷ ଡାଳୁଁ ପତ୍ରଗହଳୁଁ,

ଧ୍ରୁବ ବଟ−ତୁଙ୍ଗ−ଚୂଡ଼ା ଉପରୁ,

ରହି ରହି ଚାହିଁ ପାନ୍ଥ−ଆନନ,

ରାବୁ ରେ ବାୟସ ତୁ ଘନ ଘନ ।

ପରିଶ୍ରାନ୍ତ ପାନ୍ଥ ଅବସ୍ଥା ଜାଣି,

ଗାଉ କି ରେ କାକ ତତ୍ତ୍ୱ କାହାଣୀ ।

“ସଂସାରର ପ୍ରେମ ଆବିଳ ଭାଇ,

ନିର୍ମଳ ପ୍ରେମ ଏ ସଂସାରେ ନାହିଁ ।

 

ଯେତେ ଦିନ କରି ଅର୍ଥ ଅର୍ଜନ

କରିବୁ କୁଟୁମ୍ୱ ପ୍ରତିପାଳନ,

ତେତେ ଦିନ ପାନ୍ଥ କୃତଜ୍ଞ ମନେ

କରିବେ ଆଦର ଆତ୍ମୀୟଜନେ ।

ହେଲେ ବେଳ ଆସି ଘୋଟିବ ଜରା,

ସେବେଳ ଏବେଳ ଅମେଳ ପରା ।

ହଟିଯିବ ବଳ ତୁଟିବ ଶିରୀ,

ବୋଲୁଥିବେ ଲୋକେ ଆମ୍ୱ ଡିମିରି ।

ଅକର୍ମା ହୋଇଲେ ଚରମକାଳେ

ନ ଚାହିଁବେ କେହି ତୋ ମୁଖ ଢାଳେ

ରୋଗେ ହେଲେ ଦେହ ନରକବାସ

ନାସିକା କୁଞ୍ଚାଇ ଛାଡ଼ିବେ ପାଶ ।

ବୋଲିବେ ଏ ବୃଦ୍ଧ ତୁରନ୍ତ ମରୁ,

ଭାଇ ବନ୍ଧୁଙ୍କର ଭାବନା ସରୁ ।”

ଶୁଣି କାକ ତୋର ଦାରୁଣ କଥା,

ବିହ୍ୱଳେ ପାନ୍ଥର ଭ୍ରମଇ ମଥା ।

 

ନିରାଶ ପରାଣେ ଶୂନ୍ୟ ଅନ୍ତରେ

ମନ୍ଦଗତି ପାନ୍ଥ ଚାଲେ ପଥରେ ।

ଅପ୍ରିୟବାଦୀ ତୁ ଅଟୁ ରେ କାଉ,

ସତ ମିଛ କହି ଯଶ ପାଉ ?

 

-୫-

ଡାମରାକାଉ ରେ ଡାମରାକାଉ,

ଗ୍ରାମେ ଗ୍ରାମେ ଉଡ଼ି ତୁ ରାବୁଥାଉ ।

ଅଳପ ଅଳପ ପଡ଼ିଛି ଖରା,

ଚିତ୍ରବସନ କି ପିନ୍ଧିଛି ଧରା ।

ଶିଶିର ପ୍ରଭାତେ ବାଡ଼ି ଭିତରେ

ବସି ବାମାଗଣ ହରଷଭରେ

ନାନା ଗଳ୍ପ କରି ରମନ୍ତି ଚିତ୍ତ,

ନାଥ ଆସି ଦାଣ୍ଡେ ଆରମ୍ଭେ ଗୀତ—

ଅଶୋକ କାନନେ ରାମରମଣୀ

ବୀର ହନୁମାନେ ବୈଦେହୀବାଣୀ,

ନଳ−ଦମୟନ୍ତୀ−ବିଚ୍ଛେଦ−ଗାଥା,

ଯମ−ସତ୍ୟବାନ−ସାବିତ୍ରୀ−ବାର୍ତ୍ତା,

କୈଳାସ ପର୍ବତେ ଗିରିଜା ପ୍ରତି

ତପସ୍ୱୀ ଶିବଙ୍କ କଠୋର ମତି ।

ଭିକ୍ଷା ଘେନି ନାଥ ଅନ୍ୟତ୍ର ଗମେ,

ପ୍ରେମଗୀତି ବାଜେ ବାମା ମରମେ ।

ଅଳପ ବୟସେ ପ୍ରବାସୀ ପତି,

ପତି ଭିନ୍ନ ତାର କେବଣ ଗତି ?

ତୁନି ତୁନି କରି ସଖୀ ଆଗରେ

କହେ କି ବାରତା ସାଶ୍ରୁ ନେତ୍ରରେ ।

ବାଡ଼ିର ବକୁଳେ ପତ୍ରଗହଳେ

ରଟୁକି ବାରତା ତୁ ରାବ ଛଳେ ?

ଅରାଳ ଭ୍ରୂଲତାଯୁକ୍ତା ତରୁଣୀ

ଅଧୀରା ହୁଅଇ ତୋ ରାବ ଶୁଣି ।

ଦେଇଣ ଆଧାର ପୁଛେ ତୁରନ୍ତ

ସୁଦୂରସ୍ଥ ପ୍ରାଣବନ୍ଧୁ−ଉଦନ୍ତ ।

ତା କରକମଳୁଁ ତଣ୍ଡୁଳ ଖାଇ,

ନୈରାଶ୍ୟର ଗୀତ ଦେଉ ରେ ଗାଇ—

“ତୁ ଯାକୁ ଦେଇଛୁ ଜୀବନ ମନ,

ଅନ୍ୟେ ସେ କରିଛି ପ୍ରାଣ ଅର୍ପଣ ।”

ଅଶିଷ୍ଟାଚାରୀ ତୁ ଅଟୁରେ କାଉ,

କୁଳବଧୂ ପାଶେ କି ଗୀତ ଗାଉ ?

କୃତଘ୍ନ ବାୟସ ତା ମନ୍ଦ ଗାଉ,

ଅନ୍ନଦାତ୍ରୀକୁ ତୁ ଦୁଃଖେ ଭସାଉ ।

ନବୀନ ଯୁବତୀ କୋମଳମନା,

ଲବଣୀପିତୁଳା ଲୋଳଲୋଚନା ।

ଛି ଛି କାକ ଟାଣ ତୋର ପ୍ରକୃତି,

କଠୋର ନୁହଇ ସରଳା ସତୀ ।

ନ କହ ସଂସାର ଟାଣ ବାରତା,

କୋମଳମନା ସେ ହେବ ଆରତା ।

ଚକ୍ଷୁଲଜ୍ଜା ତୋର ନାହିଁରେ କାଉ,

ପର କଥା କହି କି ଲାଭ ପାଉ ?

 

 

 

-୬-

ଡାମରାକାଉ ରେ ଡାମରାକାଉ,

ସ୍ୱଦେଶେ ବିଦେଶେ ତୁ ରାବୁଥାଉ ।

ଶୀତ ଅନ୍ତେ ଆସେ ନବ ବସନ୍ତ,

ଦିଶଇ ଭୂବନ ଲାବଣ୍ୟବନ୍ତ ।

ମୃଦୁ ମନ୍ଦ ବହେ ମଳୟାନିଳ,

କୁହୁ କୁହୁ ଡାକେ ଡାଳୁଁ କୋକିଳ ।

ନବୀନ ପଲ୍ଲବ କୁସୁମେ ସାଜି

ସୁଶୋଭିତ ଲତା ବିଟପିରାଜି ।

ଝୁଲଇ ବଉଳ ଚୂତ ଡାଳରେ,

ଚହଟେ ସୁବାସ ଚଉଦିଗରେ ।

 

ସୁଦୂର ପ୍ରବାସେ ତଟିନୀତଟେ

ବସି ନବ କାନ୍ତ ହୃଦୟ ପଟେ

ପୂର୍ବସ୍ମୃତିରାଜି ଆଙ୍କି ବିଷାଦେ,

ଦେଶକାଳେ ନିନ୍ଦେ ସେ ନିରାନନ୍ଦେ ।

ସହଜେ ତ ପ୍ରେମ ଅତି ମଧୁର,

ପ୍ରେମସ୍ମୃତି ଆହା ତହୁଁ ମଧୁର,

ସେ ମନ୍ତ୍ରେ ଦୀକ୍ଷିତା ରାମରମଣୀ

ବୃଥା କଲେ ରାବଣର କରଣୀ ।

ସେ ମୋହରେ ମୁଗ୍‌ଧା ପାର୍ବତୀ ସତୀ

ଦାରୁଣ ତପସ୍ୟା କଷଣେ ବ୍ରତୀ ।

ସେ ଶକ୍ତିବଳରେ ନଳଗୃହିଣୀ

ହୋଇଲେ ଗହନ ବନଚାରିଣୀ ।

 

ସେ ମଦେ ଉନ୍ମତ୍ତା ସାବିତ୍ରୀ ସତୀ

ମରଣ ହସ୍ତରୁ ତାରିଲେ ପତି ।

ଶକୁନ୍ତଳା ମଜ୍ଜି ସେ ପ୍ରେମରସେ

ପଡ଼ିଲେ ଦୁର୍ବାସାଶାପର ବଶେ ।

ପର୍ବତଶିଖରୁ, ତରୁ−ଶାଖାରୁ

ହେଳେ କି ଭାବନା ଭାବି ବାହାରୁ ।

ଡେଇଁ ଘର, ଗ୍ରାମ, ନଦୀ, ପୋଖରୀ,

ତୋଟା, ପାଟ, ଦଣ୍ଡା ହେଉ ତୁ ପାରି ।

ଅନନ୍ତ ନୀଳିମାମୟ ଗଗନେ,

ଉଡ଼ି ଉଡ଼ି ଆସୁ ‘କାଆକା’ ସ୍ୱନେ ।

ବିରହୀ ନିକଟେ ବସି ତୁ ଯାଉ,

ମନ ଫେଡ଼ି କାକ କି ଗୀତ ଗାଉ ?

ରାଉ ରାଉ ସ୍ୱରେ ରାବୁ ବାୟସ,

ରାବ ବ୍ୟାଜେ ଫେଡ଼ୁ କିବା ରହସ୍ୟ ।

“ସଂଶୟ−କଣ୍ଟକ ପ୍ରେମ−ସୁମନ

କରିଅଛି ଘନଭାବେ ଆଚ୍ଛନ୍ନ ।

 

ଯହିଁରେ ନିହତ ଯେତିକି ସୁଖ,

ତହିଁ ପ୍ରଚ୍ଛନ୍ନଟି ତେତିକି ଦୁଃଖ ।

ସୀତା ଶକୁନ୍ତଳାଙ୍କର କଷଣ,

ପାସୋରି ଅଛି କି ତୋ ମୁଗ୍‌ଧ ମନ ?”

ଶୁଣି ତୋର ବାଣୀ ରସିକ ଜନ

ବିଷାଦେ କରଇ ଗୃହେ ଗମନ ।

ଅତି ନିଷ୍ଠୁର ତୁ ଅଟୁରେ କାଉ,

ସତ ମିଛ କହି କି ସୁଖ ପାଉ ?

 

-୭-

ଡାମରାକାଉ ରେ ଡାମରାକାଉ,

ବିଦ୍ୟାମନ୍ଦିରେ ତୁ ରାବୁଣ ଥାଉ,

ପେ ମନ୍ଦିରେ ବସି ପଣ୍ଡିତଗଣ

କରୁଥାନ୍ତି ପ୍ରତ୍ନତତ୍ତ୍ୱ ଚୟନ ।

ଜ୍ଞାନସିନ୍ଧୁ ଜ୍ଞାନୀ କରି ମନ୍ଥନ

କରନ୍ତି ଉଦ୍ଧାର ଜ୍ଞାନ−ରତନ ।

ବିଗତ ଯୁଗର ପୁରା କାହାଣୀ,

ବୀରଗାଥା ଶୌର୍ଯ୍ୟ−ବିକ୍ରମ ବାଣୀ,

ସାମ୍ରାଜ୍ୟଗଠନ, ରାଜ୍ୟ ପତନ,

ଦିଗ୍‌ବିଜୟୀ ବୀର−ଅରିମନ୍ଥନ

ରାଜନୀତିବିଜ୍ଞ−ପ୍ରତିଭା−ବଳ,

ସାମ୍ରାଜ୍ୟ−ଶାସନ ବୁଦ୍ଧି କୌଶଳ,

ନବରାଜ୍ୟ−ଆବିଷ୍କାର ବାରତା

ବିଭିନ୍ନ ରାଜ୍ୟର ବିଚିତ୍ର କଥା,

ଲଳିତସୁନ୍ଦର କାବ୍ୟ−କାହାଣୀ,

ସୁନ୍ଦର−ରଚନା−ବିଚିତ୍ର−ଠାଣି,

ଅସଂଖ୍ୟ ବ୍ରହ୍ମାଣ୍ଡ−ଜ୍ୟୋତିଷ୍କଗଣ,

ଅସୀମ ଅନନ୍ତ ସୃଷ୍ଟି ଲକ୍ଷଣ,

ମହାମେରୁଠାରୁ ଅଣୁଟି ଯାଏ

ଜ୍ଞାନବଳେ ଜ୍ଞାନୀ ସନ୍ଧାନ ପାଏ ।

 

ଜଡ଼−ତୃଣ−ପ୍ରାଣି−ମାନବ ସୃଷ୍ଟି ।

ବିଶ୍ଳେଷଣ କରେ ବିଜ୍ଞାନ−ଦୃଷ୍ଟି ।

ଜ୍ଞାନଭକ୍ତିକର୍ମ−ତ୍ରିଯୋଗ−ତତ୍ତ୍ୱ,

ସାମାଜିକ, ରାଜନୈତିକ ତଥ୍ୟ,

ନୀତିମନସ୍ତତ୍ତ୍ୱ, ନ୍ୟାୟ, ଦର୍ଶନ,

ଜିଜ୍ଞାସୁ କରଇ ସମାଲୋଚନ ।

ତହିଁ ଆସି ବସି ରାବୁ ବାୟସ,

ରାବ−ବ୍ୟାଜେ ଫେଡୁ କିବା ରହସ୍ୟ ?

“ଜ୍ଞାନ−ପଥ ସଂଶୟରେ ଆଚ୍ଛନ୍ନ,

ସନ୍ତତ କଠିନ ଜ୍ଞାନ−ଅର୍ଜନ,

ଭିନ୍ନ ଋଷିଙ୍କର ଭିନ୍ନ ବ୍ୟବସ୍ଥା,

ବୈଷମ୍ୟ ଦ୍ୱନ୍ଦ୍ୱ ଅକୃତକାର୍ଯ୍ୟତା,

ଶାନ୍ତି ଅସାମର୍ଥ୍ୟ ରାଗ ବିଦ୍ୱେଷ,

ବୈରାଗ୍ୟ ଅପମାନ ଅସନ୍ତୋଷ—

ଏତେ ବିଘ୍ନେ ପୂର୍ଣ୍ଣ ଜ୍ଞାନର ପଥ,

ଲକ୍ଷ୍ମୀ ସରସ୍ୱତୀ ଅରି ନିୟତ ।

ଅନ୍ତହୀନ ବିଦ୍ୟା ସାନ୍ତହିଁ କାଳ

ଅତର୍କିତେ ପୁଣି ଆସଇ କାଳ ।

ସଂଶୟ−ତମିସ୍ରେ ଆଚ୍ଛନ୍ନ ଶେଷ,

କିବା ଏ ଜୀବନେ ଜ୍ଞାନ−ଉଦ୍ଦେଶ୍ୟ ?”

ଡାମରାକାଉ ରେ ଡାମରାକାଉ,

ସତ୍ୟ ମିଥ୍ୟା କହି କି ଲାଭ ପାଉ ?

 

-୮-

ଡାମରାକାଉ ରେ ଡାମରାକାଉ,

ଯହିଁ ତହିଁ ବସି ତୁ ରାବୁଥାଉ ।

ନାହିଁ ତୋର କାକ ଅସାର ସାର,

ଭେଦାଭେଦ ଉଚ୍ଚନୀଚ−ବିଚାର ।

ପୁଣ୍ୟ−ଦେବାଳୟେ ଶବ−ଶ୍ମଶାନେ

ବସି ରାବୁଥାଉ ତୁ ସର୍ବସ୍ଥାନେ ।

 

ଗହନ ବିପିନେ ହରିଣୀ−ସଭା,

ନବକୁଳବଧୂ କୁସୁମଗଭା,

ଅବାରିତଗତି ହୋଇ ରେ କାକ,

ଦେଖି ଉଡ଼ୁ ଛାଡ଼ି କର୍କଶ ଡାକ ।

ନବ କାନ୍ତ କାନ୍ତା ନିର୍ଜନେ ସଙ୍ଗେ

ଯହିଁ ବିହରନ୍ତି ବିବିଧ ରଙ୍ଗେ,

ତହିଁ ବସି ତୁହି କି ଗୀତ ଗାଉ ?

ଭଲା ନିର୍ଲଜ୍ଜ ତୁ ଅଟୁ ରେ କାଉ ।

ସୁହାଗିନୀ ନାରୀ ତୋତେ ରେ କାକ

ଘଉଡ଼ାଇ କହେ, “କର୍କଶ ଡାକ

ଅତି ଅସୁନ୍ଦର ରୂପ ତୋହର,

ହୋଇଥାନ୍ତୁ ପିକ ପା’ନ୍ତୁ ଆଦର ।”

 

ନ ଶୁଣି ସେ ବୋଲ ରାବୁ ବାୟସ,

ରାବଛଳେ ପେଡ଼ୁ କିବା ରହସ୍ୟ ?

“ତତ୍ତ୍ୱବାଣୀ ଶୁଣି ପାର୍ଥିବ ଜନେ,

ସର୍ଜ୍ନନେ ଢଡ଼ନ୍ତି ସକ୍ରୋଧ ମନେ ।

ସତ୍ୟସମ କଟୁ ବଚନ ନାହିଁ,

ମିଥ୍ୟାଠାରୁ ଗିର ମଧୁର କାହିଁ ?

ମିଥ୍ୟାଚାଟୁ ଶୁଣି ଭ୍ରାନ୍ତ ସଂସାରୀ,

ନିଜ ଶୁଭଶୁଭ ନ ପାରେ ବାରି ।

ପ୍ରକୃତବାଦୀକୁ ଦୂରୁଁ ତଡ଼ଇ,

ପରିଣାମ ତାର କାଳେ ଲଭଇ ।

ତୋର ତୋଷାମୋଦପାଇଁ ରେ ନର,

ଦୀକ୍ଷା ଦେଇ ନାହିଁ ଗୁରୁ ମୋହର ।

ଭୀମକାନ୍ତ ସମାବେଶେ ଏ ଧରା,

କୃଷ୍ଣ ଶୁକ୍ଳପକ୍ଷେ ମାସକ ପରା ।

ରାବଇ କୋକିଳ, ରାବଇ ମୁହିଁ,

ନ ବୁଝି ସକ୍ରୋଧ ହେଉଛୁ ତୁହି ।

 

ଆସିବ ନିଦାଘ ଯିବ ତ ମଧୁ,

କାହିଁ ଉଡ଼ିଯିବ ତୋ ପିକବଧୂ ।

ଜୀବନ−ଦୁର୍ଦ୍ଦନେ ବଢ଼ିବ ଦକ,

କାହିଁ ଥିବ ତୋର ଚାଟୁ ଗାୟକ ?

କିଏ ଅସୁନ୍ଦର କିଏ ସୁନ୍ଦର,

ଘୋର ଭ୍ରାନ୍ତି ଗର୍ତ୍ତେ ପଡ଼ିଛୁ ନର ।

ଚର୍ମ ଦିଶେ ସିନା ସୁନ୍ଦର ସାର,

ଦେଖ ତା ଭିତରେ କି ନାରଖାର ।

ତୋରା ଗୋରା ଦିଶେ ଆଜି ରେ ଯାହା,

କି ବିଷାଦମୟ ଚରମେ ତାହା ।

ମିଛେ କିମ୍ପା ଭୁଲୁ ପାର୍ଥିବ ପ୍ରେମେ,

ବିସୋରି ଆତ୍ମାର ସ୍ୱର୍ଗୀୟ କ୍ଷେମେ ?

 

ଜୀବନ−ସଂଗ୍ରାମ ଅତି କଠୋର,

ଜାଗି ଅହର୍ନିଶ ଯୁଝରେ ଘୋର ।”

ଶୁଣ କାକ ତୋର ତତ୍ତ୍ୱ−କାହାଣୀ,

ସଂସାରୀ ଅନ୍ତରେ ବୋଲେ ଏ ବାଣୀ,—

“ପ୍ରେମଡୋରି ମୋର ପରାଣ ନାଡ଼ି,

ପ୍ରାଣ ଥାଉଁ ତାହା କେ ପାରେ କାଢ଼ି ?

ପ୍ରେମ−ବନ୍ଧୁ ମୋର ପରାଣ ସାତି,

ଦୁଃଖ ସନ୍ତାପର ଘୋର ଅରାତି ।

ଛାୟା ରୂପେ କାୟା ସଙ୍ଗେ ଭ୍ରମଇ,

ଦୁଃଖ−ଦୁର୍ଦ୍ଦିନର ପାଶେ ଲୁଚଇ ।

 

ପାହିଲେ ବିପଦ ଘନ ଅନ୍ଧାର,

ପୁଣି ମୁଁ ଦର୍ଶନ ପାଏ ତାହାର ।

କେମନ୍ତେ ସେ ପ୍ରେମେ ବିଦାୟ ଦେଇ

ବଞ୍ଚିବି ମୁଁ ଶୂନ୍ୟ ପରାଣ ନେଇ ।

କିନ୍ତୁ ସେହି ପୁଣି ନେଉଟି କାଳେ,

ଏ ପ୍ରାଣେ ଦୁଃସହ ଗରଳ ଢାଳେ ।

ଯେବେ ଏ ଜୀବନେ ପ୍ରେମ−ପିପାସା

ନ ପୂରିବ, ତେବେ କିମ୍ପା ଦୁରାଶା ?”

କଳ୍ପନା−ଜଗତେ ବୈରାଗ୍ୟ−କାକ,

ଏସନେହିଁ ଦିଏ ସତ୍ୟର ଡାକ ।

 

 

 

ଉପବନ ଭାବନା

ନାନାବିଧ ପୁଷ୍ପ ଉପବନେ

ସୁଶୋଭିତ ଶିଶିର ମଣ୍ଡନେ,

ପାଇ କାଞ୍ଚନ ବରଣ            ବାଳମିହିର−କିରଣ

ସୁଧୀର ସମୀରେ କମ୍ପି କିବା ମନୋଲୋଭା ।

ଧରାଧାମେ ଅବତୀର୍ଣ୍ଣ ନନ୍ଦନର ଶୋଭା ।

 

ବିବାହେ ହୁଅନ୍ତି ଯେହ୍ନେ ଠୁଳ

ମନୋରମା ସୀମନ୍ତିନୀକୁଳ,

ଆନନ୍ଦ−ମିଶ୍ରିତ−ଦୁଃଖ       ଲୋତକ−ମଣ୍ଡିତ−ମୁଖ

ଅପୂର୍ବ−ଭାବ−ଆବେଶ ଦିଶେ ଚାରୁତର,

ସହଜେ ସ୍ୱକର୍ମେ ସର୍ବେ ସଦା ତରତର ।

 

ବାସିଫୁଲ ଉପେକ୍ଷିଣ ଅଳି

ଯାଏ ସଜ ପୁଷ୍ପ ପାଶେ ଚଳି,

ତେଜି ନରେ ପୁରାତନ             ଅନୁସରନ୍ତି ନୂତନ

ପତିପ୍ରାଣା ନିଜନାରୀ ତ୍ୟଜେ ବିଟଜନ,

କରଇ ସେ ସୁଧା ତ୍ୟଜି ଉଚ୍ଛିଷ୍ଟ ଭୋଜନ ।

 

ପୁଷ୍ପୁଁ ପୁଷ୍ପାନ୍ତରେ ଭୃଙ୍ଗ ଉଡ଼ି

ପାନ କରେ ମଧୁ ରସେ ବୁଡ଼ି,

ରସ ଥିଲେ ସର୍ବେ ପାଶେ;             ସର୍ବେ ଦୂରେ ରସନାଶେ,

କପଟ ବନ୍ଧୁଏ ଯେହ୍ନେ ସମ୍ପଦର ସାତି

ବିପଦେ ପାସୋରି ଯେଝା ବାଟ କାଟି ଯାନ୍ତି ।

 

ସଦ୍ୟ ପ୍ରସ୍ଫୁଟିତ ଏକ ଫୁଲ

ରସଭରେ ହୋଇଛି ଉତ୍‌ଫୁଲ୍ଲ,

ଯୌବନରେ ନରନାରୀ             ପରିଣାମ ନ ବିଚାରି

ଯେହ୍ନେ ଦେଖାଇ ହୁଅନ୍ତି ସୌନ୍ଦର୍ଯ୍ୟସମ୍ପଦ,

ବିଷମ ଉନ୍ମାଦ ସିନା ଯୌବନର ମଦ ।

 

କାହିଁ ଏକ ସୁମନ ବିନୟୀ

ଝୁଲି ଝୁଲି ଲୁଚେ ଲଜ୍ଜା ବହି,

ନିସର୍ଗସୁନ୍ଦର ଯେହୁ             ଆନନ୍ଦନିଳୟ ସେହୁ

ବିନୟ ମିଶି ଲାବଣ୍ୟ ହୁଏ ଦ୍ୱିଗୁଣିତ,

ସମ୍ପଦେ ଆନତ ହେବା ମହତ ଚରିତ୍ର ।

 

ପ୍ରଭାହୀନ ଆରେକ ସୁମନ

ହୋଇଛି କି ବ୍ରୀଡ଼ାରେ ମଉନ ?

ଧନିପାଶେ ନିର୍ଦ୍ଧନର             ଏସନ ହିଁ ଅନାଦର

ଦୁଃଖୀ−ଦୁଃଖ ବୁଝିପାରେ ସିନା ଦୁଃଖୀଜନ

ଦୀନତା ଅଟଇ ଏକା ବିନୟ କାରଣ ।

 

ବାସିଫୁଲ ଯାଇଛି ମଉଳି,

ବିଷାଦେ କି ପଡ଼ିଛି ଝାଉଁଳି ?

ଆସିଣ ଗ୍ରାସିଲେ ଜରା       ଏସନ ବିଷାଦେ ଭରା

ଶ୍ଳଥଚର୍ମ ପକ୍ୱକେଶ ଅସ୍ତମିତବଳ

ନିଷ୍ପ୍ରଭ ହୁଅନ୍ତି ସିନା ମାନବ ସକଳ ।

 

କେଉଁ ପୁଷ୍ପ ପଡ଼ିଅଛି ଖସି,

କିଏ ଅବା ଫୁଟେ ହସି ହସି,

କାହାର ଆସୁଛି ଦିନ      କେ ଅକାଳେ ପ୍ରଭାହୀନ,

ଉଦ୍ଭିଜ୍ଜ ଜଡ଼ ଚେତନ ସମସ୍ତେ ଅସ୍ଥିର

ଧନୀ ନିର୍ଦ୍ଧନ ପଣ୍ଡିତ ମୂର୍ଖ ଭୀରୁ ବୀର ।

 

କୁଳିଶ−କଠୋର−ଦ୍ରୁମଚୟ

ସୁକୋମଳ−ବ୍ରତତୀ−ଆଶ୍ରୟ,

ସାହାସୀ ନର ଶରଣେ       ଅବଳା ନାରୀ ଯେସନେ

ନିଶ୍ଚିନ୍ତେ, ନିର୍ଭୟେ, ସୁଖେ କାଟନ୍ତି ଦିବସ

ପୁରୁଷନାରୀ ମଧ୍ୟେ ଏ ବିଚିତ୍ର ରହସ୍ୟ ।

 

ଦୁଃଖୀର ସଂସାର

(ଜୀବନ−ସଂଗ୍ରାମ)

ଏ ସଂସାରେ ନୁହନ୍ତି କେହି କାହାର

ସ୍ୱାର୍ଥ ଲୋଡ଼ି ବୁଲନ୍ତି ଯେହୁ ଯାହାର ।

କାହା ଆଡ଼କୁ କେହି ଅନାଉ ନାହିଁ,

ନିଃସ୍ୱାର୍ଥ ଉପକାର ମିଳିବ କାହିଁ ?

ଜୀବନଯୁଦ୍ଧେ ଜୟ ଲଭିବାପାଇଁ,

ଭାଇ ଗଳାରେ ଛୁରି ଦେଉଛି ଭାଇ ।

ଆପଣା ସୁଖ−ଅର୍ଥେ ଧାଇଁଛି ପ୍ରାଣୀ,

ପରର ସୁଖ−ଦୁଃଖ ଜାଣି ନ ଜାଣି ।

ଉଦରତୃପ୍ତି ଅର୍ଥେ ପ୍ରବଳ ପ୍ରାଣୀ

ନିର୍ବଳ ଜନ୍ତୁ ସୁଖେ ଭକ୍ଷଇ ହାଣି ।

ପାଶବ ବଳେ ବଳୀ ନିଷ୍ଠୁର ନର−

ଅତ୍ୟାଚାରେ ଅବଳା ଚିରଜର୍ଜ୍ଜର ।

ଶକ୍ତି ଯାହାର ଭବେ ରାଜ୍ୟ ତାହାର

ନୁହନ୍ତି ଏ ସଂସାରେ କେହି କାହାର ।

 

ଧନ ସମ୍ପଦ ଅର୍ଥେ କରଇ ନର

ଭ୍ରାତା ଭଗିନୀ ପିତା ମାତାଙ୍କୁ ପର ।

ରାବଣ ହରେ କାହିଁ ଶ୍ରୀରାମମତୀ,

ଅହଲ୍ୟା ଏଡ଼ି କାହିଁ ଗୌତମ−ପତି ।

ପରପୁରୁଷମୁଖେ ଅନାଏ ସୁଖେ,

ଭସ୍ମ ନିକ୍ଷେପି ପ୍ରେମବିଶ୍ୱାସ−ମୁଖେ ।

ଧର୍ମନିୟମ ସର୍ବ ହୁଏ ବିଫଳ,

ନୁହେ ସଂସାର ସୁଖଶାନ୍ତିର ସ୍ଥଳ ।

ତଥାପି ଆରେ ପ୍ରାଣ ନୁହ ତୁ ଭୀତ,

ଅଛି ପାପର ପ୍ରାୟଶ୍ଚିତ ଉଚିତ ।

 

ଅତୃପ୍ତ ପ୍ରେମ

କିପାଁ ବିଶ୍ୱସଂସାର ଏଡ଼େ ସୁନ୍ଦର—

ନିର୍ଜୀବ ଅଚେତନ ଚେତନ ନର ?

କିପାଁ ବାର ମାସରେ ପ୍ରକୃତିରାଣୀ

ପ୍ରକାଶନ୍ତି ଅଶେଷ ଲାବଣ୍ୟଠାଣି ?

କିପାଇଁ ଉଷା ସନ୍ଧ୍ୟା ମୋହନ ବେଶେ

ହସନ୍ତି ଆସି ନିତି ଏ ବିଶ୍ୱଦେଶେ ?

ନୀଳଘନ−ଅଙ୍କରେ ଚପଳାସରି

ମଣ୍ଡଇ ଧରା କିପାଁ ନାରୀ ସୁନ୍ଦରୀ ?

କିପାଇଁ ରାବେ ‘କୁହୁ କୁହୁ’ କୋକିଳ,

କାହିଁକି ବହେ ମୃଦୁ ମଳୟାନିଳ ?

କିପାଇଁ କଅଁଳଇ ଦ୍ରୁମଲତିକା,

କିପାଇଁ ଚହଟଇ ପୁଷ୍ପକଳିକା ?

ରାବେ କିପାଇଁ ବସି ବିହଙ୍ଗ ଡାଳେ,

କିପାଁ ଗଗନୁଁ ଇନ୍ଦୁ ଅମୃତ ଢାଳେ ?

 

କାହିଁକି ବିଶ୍ୱପ୍ରାଣ ବିମୁଗ୍‌ଧ କରି

ରମଣୀ−କଣ୍ଠୁ ଉଠେ ତାନଲହରୀ ?

ଏ ସୁଖେ ମୋ ପ୍ରାଣର ତୃପତି ନାହିଁ,

ଅନ୍ତର ଲୋଡ଼େ ଯାହା ସେ ମୋର କାହିଁ ?

ଥିଲେହେଁ ବହୁ ତୋୟ ନଦୀ, ସାଗରେ,

ଚାତକ−ଆଶା ସିନା ଘନ−ନୀରରେ ।

ମେଣ୍ଟିବାର ନୁହଁଇ ମୋ ପ୍ରାଣ−ଆଶା,

ନୈରାଶ୍ୟ−ସିନ୍ଧୁଜଳେ ଦେଇଛି ଝାସ ।

ନିୟତି−ନୀରେ ଭାସିଗଲା ମୋ ଆଶା,

ପ୍ରକାଶି ନ ପାରଇ ମୋ ଦୁଃଖ ଭାଷା ।

ଛିନ୍ନ ହୋଇଛି ମୂଳୁଁ ମୋ ସୁଖ−ଦ୍ରୁମ

ପଡ଼ିଛି ବୃନ୍ତୁଁ ଝଡ଼ି ପ୍ରୀତି−କୁସୁମ ।

 

ଗଲା କଥା ଭାବିଲେ କି ହେବ ଆଉ ?

ବିସ୍ମୃତି ଗରିଭେ ସେ ଉଭେଇ ଯାଉ ।

ଉଜାଣ ସନ୍ତରିଣ କାଳସ୍ରୋତର,

ବାଞ୍ଛିତ ଧନ ପାଇପାରେ କି ନର ?

ଦେଲ କାମନା ଯେବେ ହେ ଭଗବାନ,

ନୈରାଶ୍ୟେ ଭାଙ୍ଗିଦେଲ କିପାଁ ଏ ପ୍ରାଣ ?

ଯେ ଯାହା ଲୋଡ଼େ ଭବେ ନ ମିଳେ ତାହା,

ପ୍ରବଞ୍ଚେ ପ୍ରାଣ ତାର ଆଶାର ମାୟା !

ତୃଷାରେ ଜର୍ଜ୍ଜରିତ ହୁଏ ଅନ୍ତର,

ଆଶା−ମରୀଚିକାରେ ବିଭ୍ରମେ ନର ।

ଯାହାକୁ କରିଥାଇଁ ପ୍ରାଣର ଧନ,

ଏଡ଼ି ସେ ନିଜପଥେ କରେ ଗମନ ।

ଜୀବନ ବସନ୍ତରେ ପ୍ରେମର କଢ଼ି,

ଫୁଚି ଅକାଳେ ତଳେ ପଡ଼ଇ ଝଡ଼ି ।

ନୈରାଶ୍ୟେ ଭଗ୍ନ ହୁଏ ଆଶାୟୀ−ପ୍ରାଣ,

ନୁହେ ସଂସାର ସୁଖଶାନ୍ତିର ସ୍ଥାନ ।

ତଥାପି ଭାଙ୍ଗି ନ ଯା ଆରେ ଅନ୍ତର,

ମହା ଶୁଭ ଉଦ୍ଦେଶ୍ୟ ଏ ବ୍ରାହ୍ମାଣ୍ଡର ।

 

ରିପୁ-ବିପ୍ଳବ

ନୁହେଁ ସଂସାର ସୁଖଶାନ୍ତିର ସ୍ଥାନ,

ଭୁଞ୍ଜଇ ନର ଏଥି କଷଣମାନ ।

ଘୋର ବିକଟ ଷଡ଼ରିପୁ ଦାନବେ,

ବ୍ୟଥିତ କରୁଛନ୍ତି କ୍ଷୁଦ୍ର ମାନବେ ।

ଆରକ୍ତନେତ୍ର କ୍ରୋଧ−ଅଜ୍ଞାନ ନର

ବଜ୍ରମନ୍ଦ୍ରେ ବିନ୍ଧଇ କୁବାକ୍ୟ ଶର ।

ସେ ଅଗ୍ନିବାଣେ ବିଦ୍ଧ ଶିଷ୍ଟହୃଦୟ

ବିକଳ ହୋଇ ହୁଏ ରୁଧିରମୟ ।

ଲୋଭେ ହୋଇ ମନୁଷ୍ୟ ପାପପଙ୍କିଳ,

ଜୀବାତ୍ମା ପୁରୁଷକୁ କରେ ଆବିଳ ।

ନଶ୍ୱର ସଂସାରର ମୋହରେ ଅନ୍ଧ,

ମାୟା−ଜାଲ−ପାଶରେ ହୁଏ ଆବଦ୍ଧ ।

ଧନ−ଜନ−ଯୌବନ−ମାନରେ ମତ୍ତ

ଅକର୍ମେ ହୁଏ ନର ସନ୍ତତ ରତ ।

ମତ୍ସରଭାବେ ହୋଇ ବିକୃତ ନର

ଦେଖି ନ ପାରେ ଢାଳେ ଶୁଭ ପରର ।

କାମେ ହୁଅଇ ନର କ୍ଷଣେ ଅଜ୍ଞାନ,

ନୁହେଁ ସଂସାର ସୁଖଶାନ୍ତିର ସ୍ଥାନ ।

ତଥାପି ଦମି ନ ଯା ଆରେ ମୋ ଚିତ୍ତ,

ଅଛି ପୁଣ୍ୟର ପୁରସ୍କାର ଉଚିତ ।

 

ନିୟତି-ପୀଡ଼ନ

ନିୟତି−ଗତି ଆହା କୁଟିଳା ଅତି,

ପ୍ରାଣୀ−ପୀଡ଼ନେ ତାର ଉତ୍କଟ ରତି ।

ଆଜିର ମିତ୍ର କାଲି ବିଷମ ଅରି,

କାଳଚକ୍ରର କ୍ରୂର ଗତି ଏପରି ।

ଧନ−ଜନ−ଯୌବନ−ବଂଶାଭିମାନ,

ରାଜ୍ୟ−ଗୌରବ, ରୂପଲାବଣ୍ୟ, ଜ୍ଞାନ,

ଆଜି ଯେ ସୁଖ ସୁଧା କରେ ବର୍ଷଣ,

କାଲି ସେ ଦୁଃଖକାଳକୂଟ−କାରଣ ।

ବିକଚ କୁସୁମକୁ କଣ୍ଟକ ସରି

ସୁଖକୁ ଦୁଃଖ ସଦା ଅଛି ଆଦରି ।

 

ଅଜ୍ଞାନ ତିମିରରେ ଆଚ୍ଛନ୍ନ ପ୍ରାଣି

ପ୍ରକୃତ ତତ୍ତ୍ୱପଥ ନ ପାରେ ଜାଣି ।

ପରମୁହୂର୍ତ୍ତ−କଥା ନାହିଁ ତା ଜ୍ଞାନ,

ଭବ−ଅନ୍ଧକୂପରେ ଘୋର ଅଜ୍ଞାନ ।

ସୃଷ୍ଟିର ତତ୍ତ୍ୱ ତାକୁ ରହସ୍ୟମୟ,

ବିଷମ ସମାସ୍ୟାହିଁ ନିଜ ହୃଦୟ ।

ଧନ−ଯୌବନ−ଜ୍ଞାନ ଗର୍ବରେ ଭରା

ଅଜ୍ଞାନ ନର ଧରା ମଣଇ ସରା ।

ଅପ୍ରେମେ ଜରଜର ବିକୃତରୁଚି

ନରକୁ ଛୁଇଁ ନର ହୁଏ ଅଶୁଚି ।

ବିଳାସେ ଭାସି ଏକ କାଟେ ଜୀବନ,

ନିରନ୍ନ ହୋଇ ଆନ ଭଜେ ମରଣ ।

ଅତୃପ୍ତ ପ୍ରେମେ କେହି ଚିର ତୃଷିତ,

ସନ୍ତାନହୀନ କେହି ଘୋର ଦୁଃଖିତ ।

‘କାହାର ପୌଷମାସ କାହାର ବଂଶନାଶ’

ହା ହନ୍ତି କି ବିଷମ ଅସାମଞ୍ଜସ୍ୟ !

 

ନିଜ ସୁଖରେ ସର୍ବେ ଅଛନ୍ତି ଧାଇଁ,

ପ୍ରେମ, ସ୍ନେହ, ତିତିକ୍ଷା ମିଳିବ କାହିଁ ?

ଏତେ କଷଣ ସହି ସଂସାରୀ ନର

ଆଶାତରୁତଳରେ ତୋଳଇ ଘର ।

ସହସା କାହୁଁ ଆସି ବିପଦ ଘନ

ବରଷି ତା ସଂସାର କରେ ଉଚ୍ଛନ୍ନ ।

ଦୁଃଖ−ଦାରିଦ୍ର୍ୟେ କ୍ଳିଷ୍ଟ ନିଖିଳ ଧରା

‘ତ୍ରାହି ତ୍ରାହି’ ନିନାଦେ ସତତ ଭରା ।

ଶାନ୍ତଶିଷ୍ଟ ମନୁଷ୍ୟ ପ୍ରବଳ ପାଶେ

ଅପମାନିତ ହୋଇ ଫେରେ ନିରାଶେ ।

ଶକ୍ତି ଯାହାର ଭବେ ରାଜ୍ୟ ତାହାର,

ନୁହନ୍ତି ଏ ସଂସାରେ କେହି କାହାର ।

 

ଧର୍ମ−ଆସନେ ବସି ନୀତିଜ୍ଞ ପ୍ରଭୁ,

କୂଟ ତର୍କେ ଦଣ୍ଡନ୍ତି ନିର୍ଦ୍ଦୋଷସବୁ ।

ଦୁର୍ଭାଗ୍ୟ−ପ୍ରପୀଡ଼ିତ ନିରାଶ ଜନ,

ଆତ୍ମାଘାତୀ ହେବାକୁ ବଳାଏ ମନ ।

ତଥାପି ହେ ମନୁଷ୍ୟ, ବିଚାର କର,

ମୃତ୍ୟୁ ତ ନୁହେଁ ପରିଣାମ ଜୀବର ।

ପର କାଳର ଚିନ୍ତା ନ ଥାନ୍ତା ଯେବେ,

ସହଜେ ପ୍ରାଣ−ଦୁଃଖ ଫେଡ଼ନ୍ତ ତେବେ ।

ଅଚିନ୍ତା−ନିଦ୍ରା ସିନା ଲୋଡ଼ୁଛ ଭାଇ,

ସେ ଶେଷ−ନିଦ୍ରାରେ କି ଦୁଃସ୍ୱପ୍ନ ନାହିଁ ?

ଯେବେ ସେ ନିଦ୍ରା କେହି ଭଙ୍ଗାଇ ଦେବ,

ଦୁଃଖ ଏଡ଼ିବା ଯତ୍ନ ବିଫଳ ହେବ ।

କୃତ କର୍ମର କାଳେ ବିଚାର ହେବ,

ଦ୍ୱିଗୁଣ ଯନ୍ତ୍ରଣା ତ ନିୟତି ଦେବ ।

କ୍ଷାନ୍ତ ହୁଏ ଏ କର୍ମୁଁ ହେ ପ୍ରିୟ ଭାଇ !

ଧୂମରୁ ଅଗ୍ନିକୁଣ୍ଡେ ଡେଇଁବ ନାହିଁ ।

 

ନିରାଶ୍ରୟ−ଆଶ୍ରୟ ଶ୍ରୀ ଭଗବାନ

ଦୁଃଖର ମହୌଷଧି ଶ୍ରୀହରି ନାମ ।

ଯୁଗକୁ ଯୁଗ ସାଧୁ ମହାତ୍ମାମାନ

ଦେଶେ ଦେଶେ ଜନମି ଦେଲେ ପ୍ରମାଣ ।

 

ଜରା-ମରଣ

ତ୍ରିତାପେ ତାପିତ ଏ ମାନବ ପ୍ରାଣ,

ନିୟତି ହସ୍ତେ ଆହା କି ହତମାନ !

ନରଶରୀର ଜରା−ବ୍ୟାଧିର ଘର,

ଯାହା ଜ୍ୱାଳାରେ ସଦା ଜଳେ ଅନ୍ତର ।

ଲାବଣ୍ୟେ ଢଳ ଢଳ ତରୁଣୀ−ତନୁ,

ବାରେ ଦେଖିଲେ ଯାହା ନ ଯାଏ ମନୁ ।

ବ୍ୟାଧି−ଜରା−ସଂସ୍ପର୍ଶେ ଆସନ୍ତେ ତାହା,

କିବା ନିରସ ଶୁଷ୍କ ହୁଅଇ ଆହା ।

ସିଂହର ଶକ୍ତି ଥାଏ ନରଦେହରେ

ଅଲକ୍ଷ୍ୟେ ବ୍ୟାଧିଜରା ହରଣ କରେ ।

ସହସା ବୁଦ୍ଧି ଆଦି ପ୍ରବୃତ୍ତି ଦଳ

ଜରା−ବ୍ୟାଧିରେ ସର୍ବ ହୁଏ ନିର୍ବଳ ।

ଗୁପ୍ତ ବେଶରେ ଜଗି ବସି ମରଣ

ଅକାଳେ ପ୍ରେମପାତ୍ର କରେ ହରଣ ।

ନବକାନ୍ତ−ଅଙ୍କରୁ ନବୀନା ନାରୀ

ଝିଙ୍କି ନିଅଇ ଯମ ବଜ୍ର ପ୍ରହାରି ।

ଯୌବନ−ପ୍ରଭାତରେ ସୁନ୍ଦରୀ ସତୀ

ହରାଇ ବସେ ହାହାକାରେ ସ୍ୱପତି ।

ପୂର୍ଣ୍ଣେନ୍ଦୁ ନିଭାନନ ପ୍ରାଣ ନନ୍ଦନ

ସନ୍ତାନବର୍ଗେ ମୃତ୍ୟୁ କରେ ହରଣ ।

ଶୋକେ ବିଦୀର୍ଣ୍ଣ କରି ସନ୍ତାନ ପ୍ରାଣ,

ମାତା ପିତା କରନ୍ତି ସ୍ୱର୍ଗେ ପ୍ରୟାଣ ।

 

ଶୂନ୍ୟ ନୀରସ କରି ବିଶ୍ୱସଂସାର

ବିସର୍ଜି ଯାଏ ବନ୍ଧୁ ବନ୍ଧୁକୁ ତାର ।

ମୃତ୍ୟୁ−ହସ୍ତେ ସଂସାର କି ହୀନମାନ

ନୁହେଁ ସଂସାର ସୁଖ ଶାନ୍ତିର ସ୍ଥାନ ।

ତଥାପି ଅଛି ଆରେ ପରାଣ−ପକ୍ଷି,

ଆଶ୍ରୟତରୁ ମନେ ଥାଅ ତୁ ରଖି ।

 

ଡାଆଣିଆ ଖରା

-୧-

“ଡାଆଣିଆ ଖରା ପଡ଼ିଛି ବେଳ ଯାଉଛି ବୁଡ଼ି,

କି ସୁନ୍ଦର ପାରା ଯୋଡ଼ିଏ ଯାଉଅଛନ୍ତି ଉଡ଼ି ।

ଆସ ଆସ ପାରା ଯୋଡ଼ିକ ମୋର ପିଣ୍ତାରେ ବସ

ଖାଇବାକୁ ଦେବି ତୁମ୍ଭଙ୍କୁ ମୁହିଁ ନଡ଼ିଆ−ରସ ।

ପିଇବାକୁ ଦେବି ତୁମ୍ଭଙ୍କୁ ପଦ୍ମ−ପୋଖରୀ−ପାଣି,

ଶୋଇବାକୁ ଦେବି ଖଟୁଲୀ ମାଳିଘରୁ ମୁଁ ଆଣି ।

ମାଳିଘର ଖଟୁଲୀରେ ଯେ ବାଉଁଶର ପାତିଆ,

ମାଆ ଝୁଅଙ୍କର ଗୋଡ଼ରେ ରତନର ଝୁଣ୍ଟିଆ ।

ଶାରୀ ପଚାରିଲା ଶୁଆରେ କେଉଁ ଦାଣ୍ଡରେ ଯିବା,

ଶୁଆ ବୋଲେ ଶାରୀ ଚାଲ ଗୋ ବଡ଼ଦାଣ୍ଡରେ ଯିବା ।

ବଡ଼ ଦାଣ୍ଡେ ଦାଣ୍ଡେ ଯାଆନ୍ତେ ପାଉଁ ଗୋବର ଲଣ୍ଡି,

ଲିପି ପୋଛି ଦେଇ ଯାଆ ମା ପୂଜି ମଙ୍ଗଳଚଣ୍ଡି ।”

 

-୨-

ଡାଆଣିଆ ଖରା ପଡ଼ିଛି ବେଳ ଯାଉଛି ବୁଡ଼ି,

ଅସ୍ତାଚଳ−ଶିଖେ ତପନ ଯାଉଛନ୍ତି ବାହୁଡ଼ି ।

ବିଚିତ୍ର ବର୍ଣ୍ଣର ବୋଇତ ପ୍ରାୟେ ଶୋଭା ପ୍ରକାଶି

ବାରୁଣୀ ଗଗନେ ବଉଦ କେତେ ଯାଉଛି ଭାସି ।

ଧଳା, କଳା, ନୀଳ, ଲୋହିତ ବର୍ଣ୍ଣେ ସ୍ତରକୁ ସ୍ତର

ପନ୍ତି ପନ୍ତି ସାଜି ବଉଦ ଆହା କି ମନୋହର !

 

ପଶୁ, ପକ୍ଷୀ, ନର, ପର୍ବତ, ଲତା, ପାଦପ, ସାଜି

ବିବିଧ ବର୍ଣ୍ଣରେ ରାଜନ୍ତି ନଭେ ବାରିଦ ରାଜି ।

ପ୍ରତୀଚୀ ଗଗନେ କି ଶୋଭା ଢାଳେ ଲୋହିତ ରବି

ନିକଟେ ଧବଳ ବାରିଦ କିବା ବିଚିତ୍ର ଛବି !

କନକ ତୋରଣ ଫେଡ଼ି କି ସ୍ୱର୍ଗୁଁ ସୁରତନୁଜା

ସ୍ପଟିକ ପାବଛେ ଅର୍ପନ୍ତି ସୂର୍ଯ୍ୟେ ନୈବେଦ୍ୟପୂଜା ?

 

 

-୩-

ତାରା−ମଥାମଣି ପିନ୍ଧିଣ ସ୍ୱର୍ଗୁଁ ସନ୍ଧ୍ୟା−ସୁନ୍ଦରୀ

ନିଦ୍ରା−ସ୍ୱପ୍ନ ସହ ଓହ୍ଲାନ୍ତି ଦିଗ ଅନ୍ଧାର କରି ।

ସୁରଦେଶୁଁ ସୁରତନୟା କୃଷ୍ଣବର୍ଣ୍ଣ ରଥରେ

ଅବତରି କିବା ମୋହନ୍ତି ବିଶ୍ୱ ମାୟାମନ୍ତରେ ?

ବିସର୍ଜିଣ ଦେବ ତପନ ଗଲେ ଧରଣୀମାୟା,

ବିସର୍ଜଇ ଯଥା ଜୀବାତ୍ମା ମୃତମାନବକାୟା ।

କି ଅବା ଯେମନ୍ତ ଯୌବନ ଜରାଗ୍ରସ୍ତ ତନୁକୁ,

ଅଥବା ଯେସନ ବିବେକ ପାପଗ୍ରସ୍ତ ମନକୁ ।

ପ୍ରଦୋଷର ମୂର୍ତ୍ତି ଦିଶଇ ଶାନ୍ତି ବିଷାଦମୟ,

ଗତ ସୁଖସ୍ମୃତି କରୁଛି ଆନ୍ଦୋଳିତ ହୃଦୟ,

ନିୟତ ମେଳାଣି ଲାଗିଛି ଆହା ଏ ବିଶ୍ୱ ଦେଶେ,

ଫାଟିଯିବୁ କିରେ ହୃଦୟ ଦୁଃଖଭରା−ଆବେଶେ ?

 

-୪-

ଡାଆଣିଆ ଖରା ଗଲାଣି ବେଳ ଗଲାଣି ବୁଡ଼ି,

ବସାଗଛ ଅଭିମୁଖରେ ପକ୍ଷୀ ଯାଉଛି ଉଡ଼ି ।

କିସ ତୋର ହୃଦଭାବନା ଆରେ ବିହଙ୍ଗବର,

ଦୁଃଖଭାରେ ନତ ହୁଏ କି ତୋର କ୍ଷୁଦ୍ର ଅନ୍ତର ?

ନିତି ନିତି ଉଡ଼ି ଆସିଣ କେଉଁ ସଙ୍ଗୀତ ଗାଉ,

କି ଉଦ୍ଦେଶ୍ୟ ସାଧି ପକ୍ଷିରେ ପୁଣି ଫେରି ତୁ ଯାଉ ?

ତୋ ମନୋଭାବନା ନ ଜାଣି ହୃଦ ହେଉଛି ହାଣି,

ଆସି ମୋ ପାଶରେ ବସିଣ କହନ୍ତୁ ତୋ କାହାଣୀ ।

 

ମୋ ଦୁଃଖ ଫେଡ଼ି ମୁଁ କହନ୍ତି ଶୁଣି ଯାଆନ୍ତୁ ବାରେ,

କିନ୍ତୁ ନାହିଁ ନାହିଁ ଉଡ଼ିଯା କାର୍ଯ୍ୟ ନାହିଁ ତୋଠାରେ ।

ନିଜ ଦୁଃଖଭାରେ ଆନତ ଭବେ ସକଳ ପ୍ରାଣୀ

କି କାର୍ଯ୍ୟେ ସେ ଭାରେ ମିଶାଇ ଆନ ବିଷାଦ ଆଣି ?

 

-୫-

ଗୋଧନ ଘେନିଣ ଗୋପାଳ ଫେରି ଗଲାଣି ଘରେ,

ବିଲକାମ ସାରି କୃଷକ ଫେରି ଯାଉଛି ଖରେ ।

ଗ୍ରାମେ ଶିଶୁଗଣ ଗାଆନ୍ତି ଗୀତ ଗ୍ରାମୀୟ ତାଳେ,

ଲୁଚି ପ୍ରତିଧ୍ୱନି ଗାଏ ତା ପଲ୍ଲୀ−ବନାନ୍ତଃରାଳେ ।

ଉଠିଲା କୁଟୀର−ମଥାନ ଭେଦି ଧୂମ ସଘନେ,

ପରାତ୍ମାରେ ଆତ୍ମା ପ୍ରାୟେକ ମିଶି ଗଲା ଗଗନେ ।

ଶତସନ୍ଧ୍ୟାଦୀପ ଜାଳିଲେ ଜନପଦ−ଗୃହିଣୀ,

ଶୁଭିଲା ପ୍ରଦୋଷ−ଜଣାଣ ସ୍ୱର୍ଗ ସଙ୍ଗୀତ ଜିଣି ।

ଶଙ୍ଖ ଘଣ୍ଟା ବାଜି ଉଠିଲା ପ୍ରତି ଦେବମନ୍ଦିରେ,

ଭକ୍ତି−ମନ୍ଦାକିନୀ ବହିଲା ଉକ୍ତ−ହୃଦ−କନ୍ଦରେ ।

ଅବିଶ୍ୱାସୀ ମନ, ପ୍ରଣମ ବିଶ୍ୱସ୍ରଷ୍ଟାଚରଣେ,

ଦିଅ ପଦାଶ୍ରୟ ଭୋ ପ୍ରଭୋ, ପାପୀ ଅଧମଜନେ ।

 

ପ୍ରଭାତ-ଅବକାଶ

-୧-

ପାହି ଆସୁଅଛି ଧୀରେ ସୁପ୍ତା ନିଶୀଥିନୀ,

ଶୁଭୁଅଛି ଦୂରଦେଶୁଁ ବିଷାଦ−ରାଗିଣୀ,

ଦାରୁଣ ବିଷାଦଚିତ୍ତ କରେ ମୋର ଆନ୍ଦୋଳିତ

କାହିଁ କିବା ହଜିଅଛୁ ନାହିଁ ପ୍ରାପ୍ତି−ଆଶା,

ମେଣ୍ଟିବାର ନୁହେଁ ମୋର ଏ ପ୍ରାଣ ପିପାସା ।

-୨-

ସୁଲୁ ସୁଲୁ ବହୁଅଛି ପ୍ରଭାତ−ପବନ

ବିଟପି−ଶାଖାରେ କରି ପତ୍ର ସଞ୍ଚାଳନ,

ଫାଟିଛି ନଭେ ସିନ୍ଦୁରା, ବୁଡ଼ିଅଛି କୁଆତରା

ଅନନ୍ତ ଗଗନପଥେ ଦେବକନ୍ୟା ଉଷା

ପିନ୍ଧି ଚାଲିଯାଉଅଛି ଅପରୂପ ଭୂଷା ।

 

-୩-

ଅତୀତ−ସ୍ମୃତିରେ ଚିତ୍ତ ହୁଏ ବିକ୍ଷୋଭିତ,

କାହିଁ କିଏ ଗାଏ ବସି ପ୍ରଭାତୀ ସଙ୍ଗୀତ,

କି ଥିଲା କି ହୋଇଅଛି ଭବିତବ୍ୟେ କିବା ଅଛି,

ଜନ୍ମ ମୃତ୍ୟୁ କରୁଛନ୍ତି ପଥେ ପଥ ମନା,

ପ୍ରତିପଦେ ହତଚେଷ୍ଟ ପଥିକ−କଳ୍ପନା ।

-୪-

ଧ୍ୱାନ୍ତ−ପ୍ରଭା−ସମାବେଶେ ବିଭାତ−ସମୟ,

ଅବିଶ୍ୱାସ ବିଶ୍ୱାସର ମିଳନେ ସଂଶୟ,

ଭାଙ୍ଗିଛି ସୁଖସ୍ୱପନ, ଆସେ କଠୋର ଜୀବନ

ଆଶ୍ରୟତରୁଶାଖାରେ ସୁଷୁପ୍ତ ପକ୍ଷିଣୀ,

ଶୁଭୁଅଛି ସୁଦୂରସ୍ଥ ବିଭାଷ−ରାଗିଣୀ ।

-୫-

ଶୁଦ୍ଧନୀରା ପୂର୍ଣ୍ଣତୋୟା ବନପୁଷ୍କରିଣୀ,

ତଟ−ବିଟପିରେ କାନ୍ଦେ ଚକୋର−ଗୃହିଣୀ,

ଆସଇ ନବପ୍ରଭାତ ଅସ୍ତମିତ ନିଶାନାଥ,

ସମାଗମକାଳ ଅଟେ ସୁଖର ସମୟ,

ବିଦାୟ−ଲୋତକ ଆହା କି ବିଷାଦମୟ !

 

-୬-

ଦୁଃଖ ସୁଖ ମିଶାମିଶି ଏ ବିଶ୍ୱସଂସାରେ,

କିଏ କେଉଁଠାରେ ବେଶି ଭାଗ୍ୟ ଅନୁସାରେ,

ଦେଖ ଏ ପ୍ରକୃତିଚିତ୍ର କି ଉଦାର କି ବିଚିତ୍ର ।

କେହି ଦେଖେ ଏଥି ଘୋର ବିଷାଦର ରୂପ,

କେହି ବା ଦେଖୁଛି ପୁଣି ହର୍ଷ ଅପରୂପ ।

-୭-

ମୁହିଁ ଘୋର କଳଙ୍କୀରେ ତେଣୁ ଏ ପ୍ରକୃତି

ଦେଖାଏ ସତତ ମୋତେ ବିଷାଦ−ମୂରତି,

ବହିଲା ପ୍ରଭାତବାୟୁ, ତୁଟିଲା ନିଶାର ଆୟୁ,

ନବ ଅତିଥିଆଗମେ ଅଛି ଯେବେ ସୁଖ,

ଗଲା ପ୍ରିୟ ପୁରାତନ ଏ ବିଷମ ଦୁଃଖ !

-୮-

ନାଚଇ ବସନ୍ତ ପୁଣି ହସଇ ଶରତ,

ବରଷା−ବିଷାଦେ କିନ୍ତୁ ମୋ ହୃଦୟ ରତ,

ସୁନ୍ଦରୀ ବାସନ୍ତୀ ଉଷା ଶାରଦଯାମିନୀ ଭୂଷା,

ବରଷା−ନିଶୀଥ କିନ୍ତୁ ମୋ ହୃଦୟନିଧି,

ହୁଅଇ ଉଦ୍‌ବେଳ ଯେବେ ବିଷାଦ−ବାରିଧି ।

 

-୯-

ହସଇ ବିଭାତ ସହ ସରୋଜ ମଳୟ,

ଖେଳଇ ବାସର ଚିରକୋଳାହଳମୟ,

ମଧ୍ୟାହ୍ନ ଗଗନେ ରବି ବିସ୍ତାରେ ଦାରୁଣ ଛବି;

ମୋ ମନୋମୋହନ କିନ୍ତୁ ପ୍ରଦୋଷ ସମୟ,

ଗାମ୍ଭୀର୍ଯ୍ୟବିଷାଦ ଯେବେ ଘୋଟଇ ହୃଦୟ ।

-୧୦-

ହେମଗୌର ତୋରା ତନୁ ଟହଟହ ହସେ,

ତରଳ ଅପାଙ୍ଗେ ଚାରୁ ନବୀନ ବୟସେ,

ଚଞ୍ଚଳ ପଦକ୍ଷେପଣେ ଅଳଙ୍କାର ରଣଝଣେ,

ବିଷାଦର ଛାୟା ଯେଉଁ ଯୌବନେ ଫଳିତ

ସେ ଗମ୍ଭୀର ମୂର୍ତ୍ତି କିନ୍ତୁ ଆକର୍ଷେ ମୋ ଚିତ୍ତ ।

-୧୧-

ବିଷାଦ ହରଷ ନୁହେଁ ଜୀବନ ଉଦ୍ଦେଶ,

ଏ ଜଗତେ ଦୁହିଁଙ୍କର ଶୁଭ ସମାବେଶ,

ବୁଦ୍ଧି−ଇଚ୍ଛା−ଅନୁଭବେ ନିୟୋଜି ଏ ପୁଣ୍ୟ ଭବେ

ଲଭୁ ନର ଜ୍ଞାନ−କର୍ମ−ପ୍ରୀତିର ପରାଣ,

ବିଶ୍ୱବିଧାତାର ଏହା ବିଚିତ୍ର ବିଧାନ ।

 

-୧୨-

ବିଷାଦ−ସଙ୍ଗୀତ କିପାଁ ଗାଅ ତେବେ କବି ।

ଶୁଣାଅ ଆଶାର ଗୀତ, ଚିତ୍ର କର୍ମ−ଛବି,

ଯାଉ ଶ୍ରାନ୍ତ ପୁରାତନ, ଆସୁ ଆଶାୟୀ ନୂତନ,

ଆସ ହେ ନବୀନ କବି ! ଗାଅ ନବଗୀତ,

ଆଶାର ସଙ୍ଗୀତ ଗାଇ ହର ମୋର ଚିତ୍ତ ।

 

ନିଶୀଥଶୋଭା

ଶାନ୍ତି−ପୂର୍ଣ୍ଣ ଜନପଦ ନିଦ୍ରାନିମଗନ,

ମୃଦୁମନ୍ଦ ବହିଆସେ ଦକ୍ଷିଣା ପବନ ।

କଳ କଳ ଢଳ ଢଳ ସରିତଜୀବନ,

ମରମର ପତ ପତ ତରୁପତ୍ରଗଣ ।

ପ୍ରଶାନ୍ତି କୌମୁଦୀସ୍ନାତ ନିଖିଳ ଭୁବନ,

ତାରକା−ଖଚିତ ନୀଳ ନିର୍ମଳ ଗଗନ ।

ଉଭା ମୌନେ ମୁକବତ ଗ୍ରାମେ ଗୃହପନ୍ତି,

ମିଞ୍ଜି ମିଞ୍ଜି ତାରା ତହିଁ ନେତ୍ର ନିବେଶନ୍ତି ।

ସୁଷୁପ୍ତିସମୟେ କିବା ଦେବତା−ନୟନ

ନିଃସହାୟ ମାନବକୁ କରେ ସଂରକ୍ଷଣ ।

ସହଜ ସରଳ ମନେ ଏ ଶୋଭା ନିରେଖି,

ଯୋଗମଗ୍ନ ଋଷି ତୁଲ୍ୟ ପ୍ରକୃତିକୁ ଦେଖି

ବଦ୍ଧକରେ ବନ୍ଦିଲି ମୁଁ ‘‘ନମୋ ଦିଗମ୍ୱର,

ନମସ୍ତେ ପବିତ୍ର ଶିବ ନମସ୍ତେ ସୁନ୍ଦର ।

ତାରକାଖଚିତ ନୀଳ ନିର୍ମଳ ଆକାଶେ

ଶୁଭ୍ର ସୁମଧୁର ସ୍ନିଗ୍‌ଧ କୌମୁଦୀ ପ୍ରକାଶେ,

ଶାନ୍ତିଦାନକାରୀ ମୃଦୁ ମଳୟ ପବନେ,

ସୁପ୍ରସନ୍ନ ସୁନିର୍ମଳ ସରିତ−ଜୀବନେ,

ପଲ୍ଲବ କୁସୁମଶୋଭୀ ଉଦ୍ଭିଦ−ଆହ୍ଲାଦେ,

ସୁପ୍ତ ମୌନ ଜନପଦ−ନୀରବ−ପ୍ରସାଦେ

ଯେ ଦେବତା ପରିପୂର୍ଣ୍ଣ ସୌନ୍ଦର୍ଯ୍ୟ ସମ୍ପଦେ

ବିରାଜୁଛ, ନମୋ ନମଃ ତବ ପୂତପଦେ ।”

 

କବିର ଆଧିପତ୍ୟ

ବିଚିତ୍ର ବିଶାଳ ନଭଃ ମନୋରମା ବସୁମତୀ,

ସୁଗଭୀର ନୀଳ ରତ୍ନାକର,

ତୁଙ୍ଗ ଗିରି ଘନ ବନ ଶ୍ୟାମଳ କେଦାରପନ୍ତି,

ଦୀର୍ଘ ନଦୀ ବିସ୍ତୀର୍ଣ୍ଣ ପ୍ରାନ୍ତର;

ସୁପ୍ରଶାନ୍ତ ଜନପଦ, ସୁଚଞ୍ଚଳ ରାଜଧାନୀ,

ତରୁ ଲତା କୁସୁମ ମଞ୍ଜରୀ,

ବିଚିତ୍ରଙ୍ଗ ପଶୁପନ୍ତି, ମଧୁକଣ୍ଠ ବିହଙ୍ଗମ

ଆହେ କବି, ସମସ୍ତ ତୁମ୍ଭରି ।

ଦିଗ୍‌ବିଜୟୀ ବୀର୍ଯ୍ୟବନ୍ତ ମୁକୁଟମଣ୍ଡିତ ନୃପ

ଅଛି ତାଙ୍କ ଆଧିପତ୍ୟ ସୀମା

ସୁବିଶାଳ ବିଶ୍ୱସୃଷ୍ଟି ସର୍ବତ୍ର ତୁମ୍ଭରି ରାଜ୍ୟ

ଧନ୍ୟ କବି ତୁମ୍ଭର ଗରିମା ।

 

ପ୍ରକୃତିର ପ୍ରିୟପୁତ୍ର ଜଡ଼ ସୃଷ୍ଟି ଅଧିକାରୀ,

ରାଜ୍ୟ ତବ ହେଲେହେଁ ମହାନ,

କୋଚି ଗୁଣେ ଗରୀୟାନ ମାନବ−ମାନସ−ରାଜ୍ୟ

କି ଦୁର୍ଲ୍ଲଭ ଅହୋ ଭାଗ୍ୟବାନ !

ବିଶ୍ୱଜୟୀ ପ୍ରୀତି ସ୍ନେହ, କରୁଣା ତିତିକ୍ଷା ଧୈର୍ଯ୍ୟ,

ପବିତ୍ରତା ସାହାସ ବିଶ୍ୱାସ—

ଦେବଗୁଣେ ବିଭୂଷିତ ନର ନାରୀ କରି ସୃଷ୍ଟି

ଜଗତର ପାପଭ୍ରାନ୍ତି ନାଶ ।

 

 

 

 

ମାତୃମଙ୍ଗଳ

ମାତୃସ୍ନେହ ସମ କି ଅଛି ସଂସାରେ

ଅଟେ ତା ସ୍ୱରଗସୁଧା,

ଅନନ୍ତ ଅକ୍ଷୟ ଅମୃତ−ଭଣ୍ଡାର

ପାନେ ନ ମେଣ୍ଟଇ କ୍ଷୁଧା ।

ଅଛି ଏ ଜଗତେ ନାନା ସ୍ନେହ ପ୍ରୀତି,

ଯା ଯୋଗୁଁ ସ୍ୱରଗ ଧରା,

ନିର୍ମଳ ନିଃସ୍ୱାର୍ଥ ମାତୃ ସ୍ନେହ ସରି

ଆଉ କେହି ନୁହେଁ ପରା ।

ଅଛି ପ୍ରୀତି ସଙ୍ଗେ ବିରାଗ ସଂଶୟ

କୁସୁମେ କଣ୍ଟକ ପରି,

ବଢ଼େ ପ୍ରୀତି ରୂପ ଗୁଣ ଅନୁସରି,

ପ୍ରିୟ ଦୋଷେ ଯାଏ ସରି ।

ଦୁଃଖେ ପାପେ ସର୍ବ ସାଂସାରିକ ପ୍ରୀତି—

ଟାଣ ପଡ଼ିଯାଏ ଜଣା,

କିନ୍ତୁ ମାତୃ ସ୍ନେହ ଦୋଷ ଗୁଣେ ସମ,

ନାହିଁ ତାହାର କଳନା ।

ବରଷାରେ ପୂର୍ଣ୍ଣ ନଦୀ ପୁଷ୍କରିଣୀ

ଗଭୀରତା ଗ୍ରୀଷ୍ମେ ଜଣା,

ପ୍ରାବୃଟେ ନିଦାଘେ ସମାନ ସେ ସିନ୍ଧୁ,

ନ ହୁଏ ତାର କଳନା ।

 

ସ୍ୱରସ୍ୱତୀ-ଆବାହନ

ନବଜ୍ୟୋତି ସହକାରେ ସୁରସୁତା ଉଷା

ବିଶାଳ ଗଗନେ ହସେ ପିନ୍ଧି ଶୁଭ୍ର ଭୂଷା ।

ଆନନ୍ଦ−ଆକୁଳ ହୁଏ ଜଗତ−ଜୀବନ,

ତବ ଶୁଭ୍ର ପଦାମ୍ୱୁଜ କରେ ମୁଁ ସ୍ମରଣ ।

ମଧ୍ୟାହ୍ନ ଅମ୍ୱରେ ଦୀପ୍ତ ଭାନୁ−ତପ୍ତକର

ବିଦାରେ ଧରିତ୍ରୀ−ଅଙ୍ଗ ଯେହ୍ନେ ତୀକ୍ଷଣଶର ।

ଲୋଡ଼ନ୍ତି ଆଶ୍ୱାସ ସର୍ବେ ଶୀତଳ ବିଳାସେ,

ମୋ ହୃଦୟ ଥାଏ ତବ ସିଂହାସନ ପାଶେ ।

ପ୍ରଦୋଷେ ପଶ୍ଚିମେ ଦେଖି ଲୋହିତ ନୀରଦ

ଧ୍ୟାଏଁ ମାତଃ ସରସ୍ୱତି, ତବ ଦିବ୍ୟପଦ ।

ଗମ୍ଭୀର ନିଶୀଥେ ହୁଏ ସୁଷୁପ୍ତ ଜଗତ,

ତବ ପୂଜା ପାଇଁ ମୁଁ ଯେ ଏକାକୀ ଜାଗ୍ରତ ।

ଭକ୍ତିଭରେ ବନ୍ଦେ ବାଣୀ କବୀନ୍ଦ୍ର ବନ୍ଦିତା,

ଆଣି ଦିଅ ଜନନି ଗୋ, ଦୁର୍ଲ୍ଲଭ କବିତା ।

 

ନିର୍ଝରିଣୀ

ପର୍ବତ−କନ୍ଦର ଏକେ ଶୁଷ୍କ ନିଦାରୁଣ,

ଦୁଜେ ନିଦାଘର ତାପ ପୋଡ଼େ ପତ୍ର ତୃଣ;

ବିଧିର ବିଧାନେ ପୁଣି ବରଷାର ନୀର

ପଡ଼ୁଁତା ଉପରେ ପ୍ରାଣ ହୁଏ ତା ଅସ୍ଥିର ।

ଗିରିର କନ୍ଦରୁଁ ଝରି ଗିରି−ନିର୍ଝରିଣୀ

ବହିଯାଏ ହେବାକୁ ସେ ସାଗର−ସଙ୍ଗିନୀ ।

ତା ତଟେ ବିଟପିଶାଖେ ପଞ୍ଚମ ଲଳିତ

ଢାଳି ପିକ ‘କୁଉ’ସ୍ୱନେ ରମେ ବିଶ୍ୱ ଚିତ୍ତ,

ତା ତୀରରେ ମାଳତୀ, ମଲ୍ଲୀ, ମରୁଆ, ସେବତୀ

ଫୁଟି ଚହଟାଏ ବାସ ମନୋହର ଅତି;

ମୋ ହୃଦ−କନ୍ଦରୂଁ ବହେ ଚିନ୍ତା−ନିର୍ଝରିଣୀ,

ହେବ ପ୍ରିୟ ! ତବ ମନ−ସାଗର−ସଙ୍ଗିନୀ ।

ଇଚ୍ଛା ହେଲେ ରଖ ତାକୁ ଧରି ହୃଦୟରେ,

ନୋହିଲେ ଆଶ୍ରୟ ଲଭୁ ତ୍ୱିଷାମ୍ପତିକରେ ।