Unknown

ବସନ୍ତ କୋକିଳ

ନନ୍ଦକିଶୋର ବଳ

Imageଓଡ଼ିଆ ସାହିତ୍ୟରେ ବହୁକାଳରୁ ଯଥାର୍ଥ ଓଡ଼ିଆ ପ୍ରାୟଶଃ ଦେଖା ଦେଇନାହାନ୍ତି-ଏ କଥା ବିଶେଷତଃ ସର୍ଜନ ସାହିତ୍ୟରେ ସତ୍ୟ । ମୁଁ ପ୍ରସଙ୍ଗାନ୍ତରରେ କହିଥିଲି, ଗୌଡ଼ୀୟ ବୈଷ୍ଣବମାନେ ସ୍ପଷ୍ଟତଃ ପରାଧୀନ ଓଡ଼ିଶାରେ ଯେପରି ବଙ୍ଗଳାର ଧର୍ମଭାବ ସଙ୍ଗେ ବଙ୍ଗଳାର ଭାଷା, ଶୈଳୀ ଓ ବିନ୍ୟାସ−ଶୃଙ୍ଖଳା ଜାଣି ନ ଜାଣି ଭର୍ତ୍ତି କରୁଥିଲେ, ରାଧାନାଥ ସେହିପରି ବଙ୍ଗଳାବାଟେ ରୋମାନ୍ କବି ଓଭିଡ଼୍‍ଙ୍କର କାମ−କାହାଣୀ ସବୁ ଓଡ଼ିଶାର ଜାତୀୟସାହିତ୍ୟ ବୋଲି ଓଡ଼ିଆରେ ଭର୍ତ୍ତି କରୁଥିଲେ । ଅନ୍ୟତଃ ମଧୁସୂଦନ ମଧ୍ୟ ବଙ୍ଗଳାରୁ ବ୍ରାହ୍ମଧର୍ମର ତଥାକଥିତ ପବିତ୍ରଭାଷା ଓ ଭାବ ଆମଦାନି କରିବାରେ ଲାଗିଥିଲେ । ଏ କଥା ଅନେକେ ବୁଝନ୍ତି ନାଇ, ବୁଝିଲେ ବି ଚିନ୍ତାକରି ପ୍ରକାଶ କରିବାରେ ହୁଏତ ସାହସ କରନ୍ତି ନାଇ । ଏହି ପରିସ୍ଥିତିରେ କବି ନନ୍ଦକିଶୋର ଛଟପଟ ହୋଇ ଓଡ଼ିଆର ପ୍ରାଣପ୍ରକାଶ କରିବାରେ ଲାଗିପଡ଼ିଥିବାର ସ୍ପଷ୍ଟ ସୂଚନା ତାଙ୍କ ଟିପାଖାତା (Diary)ରେ ଅଛି :-

 

“ମୋର ବ୍ରାହ୍ମଧର୍ମପ୍ରତି ଆବାଲ୍ୟ ଆସ୍ଥା ଓ ସହାନୁଭୂତି ଥିଲେହେଁ କେତେଗୁଡ଼ିଏ ବିଷୟରେ ମୋର ସନ୍ଦେହ ଚିରଦିନ ରହିଅଛି । ସେ କଥା ଶୁଣି ଅନେକ ବ୍ରାହ୍ମବନ୍ଧୁ ସୁନ୍ଦର ଯୁକ୍ତି ପ୍ରଦର୍ଶନ କରନ୍ତି, କେହି କେହି ବିଦୂପ କରନ୍ତି; କିନ୍ତୁ ରାଓ ସର୍ବଦା ସେ ବିଷୟରେ ମୋ ସହିତ ସହାନୁଭୂତି ପ୍ରଦର୍ଶନ କରୁଥିଲେ । ସେହି ସନ୍ଦେହ ମଧ୍ୟରୁ ଗୋଟିଏ ହେଉଛି ଭାଷା । ବ୍ରାହ୍ମସମାଜ ଓଡ଼ିଶାରେ ସ୍ଥାୟୀ ଓ ବିସ୍ତୃତ ହେଲେ ଓଡ଼ିଆ ଭାଷାର କି ଦଶା ହେବ? ରାଧାନାଥ, ମଧୁସୂଦନ, ଫକୀରମୋହନ, ବିଶ୍ୱନାଥ ସମସ୍ତେ ବ୍ରାହ୍ମଭାବାନୁପ୍ରାଣିତ ହୋଇ ସାହିତ୍ୟ ସୃଷ୍ଟି କରିଅଛନ୍ତି ସତ୍ୟ; କିନ୍ତୁ ସେମାନଙ୍କ ବାଲ୍ୟଜୀବନ ଓଡ଼ିଆ ଭାଷାନୁକୂଳ ବ୍ରାହ୍ମସମାଜର ବଙ୍ଗଳା−ଉପାସନା, ବଙ୍ଗଳା ପୁସ୍ତକ ପଠନ, ବଙ୍ଗାଳୀମାନଙ୍କ ସହିତ ବୈବାହିକ ମିଳନ, ସର୍ବଦା ବଙ୍ଗଳାରେ ଆଳାପ, ପତ୍ରାଦି ଲିଖନ, ପରିବାରରେ ଭାଇ ଦେଈ, ବା ଅପା, ନନା, ନାନୀ ପରିବର୍ତ୍ତେ ଦାଦା, ଦିଦି ସମ୍ବୋଧନ ବଙ୍ଗଳା ପ୍ରଭାବ, ଏ ସବୁର ପରିଣାମ ଫଳ କି ଓଡ଼ିଆ ଭାଷାର ଅନୁକୂଳ ?”

 

ଅନ୍ୟ ପ୍ରକାରରେ ଏଇ ଚିନ୍ତା ଓ ଭାବର ସ୍ୱତଃପ୍ରକାଶ କରି ନନ୍ଦକିଶୋରଙ୍କଠାରୁ ବାହାରିଥିଲା, ବିଶୁଦ୍ଧ ପଲ୍ଲୀ−ପ୍ରାଣତା। ରାଧାନାଥ ଚିଲିକାପରି ସାଧୁ ବର୍ଣ୍ଣନାତ୍ମକ କାବ୍ୟରେ ମଧ୍ୟ ଓଡ଼ିଶାର ପଲ୍ଲୀ, ପ୍ରାନ୍ତର, ହ୍ରଦ, ପର୍ବତ, ଉପତ୍ୟକା, ଅଧିତ୍ୟକା ଆଦିର ସୁନ୍ଦର ଚିତ୍ର ଦେଇଚନ୍ତି । ଏଇପରି ବର୍ଣ୍ଣନାର ବୈଶିଷ୍ଟ୍ୟ ରାଧାନାଥଙ୍କ ଲେଖାରେ ଅନ୍ୟତ୍ର ଅତି ରମଣୀୟ ଆତ୍ମପ୍ରକାଶ କରିଥିବାର ଦେଖାଯାଏ । ମାତ୍ର ଯଥାର୍ଥ ପଲ୍ଲୀଚିତ୍ର ସେ ସବୁରେ ନାଇ । ମଧୁବାବୁ ତ ପୁରପଲ୍ଲୀରୁ ବାହାରେ । ତାଙ୍କ କଥା ଛାଡ଼ । ପଲ୍ଲୀଚିତ୍ର କଳ୍ପନା କରି ଯୌବନରେ ଥରେ ହୁଏତ ସେ କହିଥିଲେ-

 

“ଛାଡ଼ି ବନ୍ଧୁ ନଗର ଚହଳ,

ଯିବା ଚାଲ ଯେଉଁ ସ୍ଥାନେ      ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ, ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶେ ସବଦା ଉଜ୍ଜ୍ୱଳ ।”

ପୁଣି:-

“ନଦୀକୂଳେ ସରୋବର ତୀରେ

ସରଳା କୁମାରୀଚୟ      ତୋଳି ନୀଳ କୁବଳୟ

ପୂଜନ୍ତି ଦେବ ଶଙ୍କରେ ବାଲୁକା ମନ୍ଦିରେ

ଜଳାର୍ଦ୍ର କୁନ୍ତଳ ଧୀରେ କମ୍ପଇ ସମୀରେ ।”

 

ଏ ସବୁ ସଙ୍ଗେ ନନ୍ଦକିଶୋରଙ୍କର ଅନ୍ୟାନ୍ୟ କାବ୍ୟ ମଧ୍ୟରେ ପଲ୍ଲୀଚିତ୍ରର ଯେ କୌଣସି ସ୍ଥାନରୁ ତୁଳନା ପାଇଁ ଉଦ୍ଧାର କରାଯାଇପାରେ ।

ନନ୍ଦକିଶୋରଙ୍କ ‘ନିର୍ଝରିଣୀ’-ବିଶେଷରେ ତାହାର ‘କାକବାରତା କବିତାଟି ଓଡ଼ିଶାରେ କାବ୍ୟକଳାର ଗୋଟିଏ ଅଦ୍ଭୁତ ସୃଷ୍ଟି । ଏହା ସବୁଠି ଥିଲା ଅଥଚ କାହିଁ ନଥିଲା । ଆଜିକାଲି ଏହାର ଅନୁକୃତି-କୌତୁକ ପରି ଲେଖାମାନ ଶ୍ରଦ୍ଧେୟ ଗୋଦାବରୀଶ ମହାପାତ୍ର ଯେପରି କୂଟ−ସଙ୍କେତରେ ସମାଜ ସମାଲୋଚନାରେ ବ୍ୟବହାର କରନ୍ତି, ତାହା ଦେଖିଲେ ‘ନିର୍ଝରିଣୀ’ କବିଙ୍କ କାବ୍ୟ−କଳାର ଦିବ୍ୟଦୃଷ୍ଟି ପ୍ରାଣରେ ଉଲ୍ଲାସ ଆଣେ । ଏହି ଦିବ୍ୟଦୃଷ୍ଟି (vision) ଦେଖି କବିଙ୍କ ଯଥାର୍ଥ ଲୋକପ୍ରାଣତା କଳନା କରାଯାଏ । ଏ କ୍ଷେତ୍ରରେ ନନ୍ଦକିଶୋର ଓଡ଼ିଶାରେ ଏକାବେଳକେ ନମସ୍ୟ । ତାଙ୍କ ‘ଡାମରା କାଉ’ ଅମରକୀର୍ତ୍ତି ଅର୍ଜନ କରି ବସିଚି । ଏ କୀର୍ତ୍ତି ନିକଟରେ ଅତିକ୍ରାନ୍ତ ହେବାର ନୁହେଁ । ଏହା ସାଙ୍ଗକୁ ନନ୍ଦକିଶୋରଙ୍କ ପ୍ରାଣର ଆଉ ଗୋଟିଏ ନୂତନ ସ୍ଫୂର୍ତ୍ତି ହେଉଚି ତାଙ୍କର ‘ନାନାବାୟା ଗୀତ’ । ମା କୋଳରେ ପିଲାକୁ ଶୁଆଇବାର ଓ ଶାନ୍ତ କରିବାର ଗୀତ ପୃଥିବୀରେ ସର୍ବତ୍ର ଅଛି । ପ୍ରଜନନରେ ସଂଗୀତର ପ୍ରଥମ ପ୍ରତିଷ୍ଠା । ଅତି ଗଦ୍ୟମୟ ସୈନିକଜୀବନର ପ୍ରାରମ୍ଭ ମଧ୍ୟ ସଂଗୀତରେ ଗଢ଼ା ହୁଏ । ଇଂରେଜିରେ ତାକୁ କହନ୍ତି ‘Nursery songs’-ଓଡ଼ିଶାରେ ତାହାର ଗୋଟିଏ ସେପରି ପ୍ରତିଷ୍ଠିତ ନାମ କିଛି ଥିବାର ମନେ ହେଉନାହିଁ । ନନ୍ଦକିଶୋର ତା’ ନାମ ଦେଇଛନ୍ତି ‘ନାନାବାୟା ଗୀତ’ । ଖାଲି ପୁରପଲ୍ଲୀ କାହିଁକି ଓଡ଼ିଶାର ବନ ପ୍ରାନ୍ତର ମଧ୍ୟ ଏହି ଗୀତରେ ପୂର୍ଣ୍ଣ । ଏ ସଙ୍ଗୀତ ମାନବପ୍ରାଣଗଠନର ଆଦି ଉପାଦାନ । ଏହା ସର୍ବତ୍ର ଅଛି । କିନ୍ତୁ ଖୋଜିଲେ ସହଜରେ ମିଳେ ନାଇ । ଏହା ଅତି ପୁରାଣ ପରମ୍ପରାରେ ପ୍ରତିଷ୍ଠିତ ହେଲେ ମଧ୍ୟ ପଦ ପଦାର୍ଥ−ଯୋଜନାରେ ଏହାର ତାଦୃଶ ସଂଗତି ନାଇ । ଏହା ସ୍ୱଭାବସୁନ୍ଦର । ଇନ୍ଦ୍ରଧନୁର ବର୍ଣ୍ଣ−ବିଭବ ତଥା ଦୂର ବନାନ୍ତର ଅନାଶକ୍ତ ଧୂମ୍ରନୀଳିମା ପ୍ରଭୃତି ପରି କାବ୍ୟକଳାର ସ୍ୱାଭାବିକ ଉପାଦାନ ସଙ୍ଗେ ଏହାର କଥଞ୍ଚିତ୍ ତୁଳନା କରାଯାଇ ପାରେ । ପଲ୍ଲୀପ୍ରାଣରୁ ଏହାକୁ ଛାଣି ବାହାର କରି ଫିଟାଇ ଦେଖାଇ ଦେଲେ−ନନ୍ଦକିଶୋର । ଦେଖ ‘କାକବାରତା’ରେ:-

 

ଉଞ୍ଚ ପରବତ ଘୁଞ୍ଚି ଘୁଞ୍ଚିକା

ତହିଁରେ ବସିଛି ତିନି ମଞ୍ଜିକା ।

ତିନି ତିନି ପଣ ଅଠର ପଣ

ଭାଇଙ୍କି ଡକାଇ କଉଡ଼ି ଗଣ

କଉଡ଼ି ଗଣାରେ ପାହିଲା ରାତି,

ଚୋର ନେଇଗଲା କଜଳପାତି ।

ଷାଠିଏ ଟଙ୍କାର ବଳଦ ମଲା,

ଏକା କାଳୀଗାଈ ମଥାନ କଲା ।

 

ସେହିପରି ‘ନାନାବାୟା ଗୀତରୁ ଚୁଟିଆ ମୂଷା’-

 

ଚୁଟିଆ ମୂଷାରେ ଚୁଟେଇ ମୂଷି

ଧାନ ଆମାରକ ଖାଉଥବା ବସି ।

କରୁଥା ଯାହା ତୋ ମନର ଖୁସି

ଘର ଛାଡ଼ି ମୁହିଁ ଯାଉଛି ରୁଷି ।

ଟିକି ଟିକି ଧାନ ଶଏ ଭରଣ,

ସାତଟା ଅମାର କଲୁଣି ଶୂନ୍ୟ ।

ଗଣେଶ ବାହନ ଅଟୁରେ ମୂଷା,

ତୋତେ ମାରିବାକୁ ନାହିଁ ଭରସା ।

ପାଠ ନ ଆସିବ ମାରିଲେ ତୋତେ

ଅବଧାନ ବେତ ମାରିବେ ମୋତେ ।

ଟୁକୁ ମୂଷାରେ ଟୁକେଇ ମୂଷି

ଖାଇବୁ ଯେତେକ ଖାରେ ଖୁସି ।’’

 

ଏହିପରି ଗୀତମାନ ଉଦାହରଣ ଦେଇ ଦେଖେଇଦେବା ଯେପରି ସହଜ, ଭାଷାରେ ଉଦ୍‌ଘାଟନ କରି ଏହାର ପ୍ରାଣ ପ୍ରକାଶ କରିବା ସେପରି ସହଜ ନୁହେ । ଶୁଣିଲେ ଲୋକେ ମନେକରିବେ, ଏ ତ ଥିଲା, ଏଥିରେ ଅଧିକା କ’ଣ ଅଛି ? ଏହିପରି ନିତି−ଥିଲା ଜିନିଷରେ ଯାହା ଅଧିକ ଥାଏ ତାହାଇ ହେଉଚି ସେ ଜିନିଷର ପ୍ରାଣ । ଜୀବନ୍ତ ବସ୍ତୁରେ ପ୍ରାଣ ଥାଏ; କିନ୍ତୁ ଦିଶୁନଥାଏ । ବସ୍ତୁରେ ସେଇ ଟିକିକ ଅଧିକା । ଏ କବିତାସବୁରେ ସେହି ଅଧିକା ଜିନିଷଟି ଅଧିଗମ୍ୟ, ହୁଏତ ସ୍ପଷ୍ଟ ବର୍ଣ୍ଣନୀୟ ନୁହେ ।

 

ଆଉ ଗୋଟିଏ ନୂଆ କଥା କହି ଏ ଲେଖାଟି ସାରିଦିଏ । ନନ୍ଦକିଶୋର ଯେତେବେଳେ ସରକାରୀ ଚାକିରି ପାଇଥିଲେ, ସେତେବେଳେ ଖାଣ୍ଟି ଓଡ଼ିଆ−ଭାବ−ଭାବିତ ସରକାରୀ ଚାକିରିଆ ବି ବେଶୀ ନଥିଲେ । ସରକାରୀ ଚାକିରି ପାଇବା ଗୋଟିଏ ଗୌରବାବହ ବିଷୟ ଥିଲା । ପୁଣି ଓଡ଼ିଆଏ ଚାକିରି ପାଇଲେ କି ନାଇ, ତାହା ଦେଖିବା ପାଇଁ ଆମ ଶିଷ୍ଟ ବିଶିଷ୍ଟ ଲୋକେ ଚାହିଁ ବସିଥିଲେ । ଏସବୁ ଭିତରେ ପୁରୋଦୃଷ୍ଟିସମନ୍ୱିତ ଯଥାର୍ଥ ମହାଭାରତୀୟ ଭାବ ପ୍ରକାଶ ଗାଇବା ଏକପ୍ରକାର ଅସମ୍ଭବ ଥିଲା । ସେତେବେଳେ ମଧ୍ୟ ନନ୍ଦକିଶୋର ‘ହିନ୍ଦୀ’ ଯେ ଦିନେ ମହାଭାରତୀୟ ଜାତୀୟ ଭାଷା ହେବ, ଏହା କଳ୍ପନା କରିଥିଲେ ଓ ସେହି ଦିଗରେ କାର୍ଯ୍ୟ କରାହେଉ ବୋଲି ବିଚକ୍ଷଣ ବଙ୍ଗାଳୀମାନଙ୍କୁ ମଧ୍ୟ ଆହ୍ୱାନ କରିଥିବାର ପ୍ରମାଣ ମିଳେ । ନିମ୍ନରେ ତାଙ୍କର ସେହି ବିଷୟକ ଲେଖାଟି ଉଦ୍ଧାର କରାଗଲା :-

 

“ବଙ୍ଗଭାଷୀ କହନ୍ତି କି ସେମାନେ ନିଜ ସାହିତ୍ୟକୁ ଅତି ଉନ୍ନତ କରିଅଛନ୍ତି । କିନ୍ତୁ ବାସ୍ତବିକ ଇଉରୋପୀୟ ଓ ସଂସ୍କୃତ ସାହିତ୍ୟର ତୁଳନାରେ ଏପରି କି ଉନ୍ନତି ହୋଇଅଛି ଯେ ତାହାର ଖାତରରେ ମାତୃଭୂମିର ଏକତ୍ୱସାଧନ ଓ ଦୁଃଖମୋଚନ ରୂପ ମହତ୍‌କାର୍ଯ୍ୟରେ ବଙ୍ଗବାସୀ ସଦୃଶ ସ୍ୱଦେଶଭକ୍ତଙ୍କୁ ବାଧାଦେବ? ଅପରନ୍ତୁ ବଙ୍ଗବାସୀ ଅତି ବିଚକ୍ଷଣ ଓ ବୁଦ୍ଧିମାନ୍ । ଅଳ୍ପଦିନ ମଧ୍ୟରେ ସେ ହିନ୍ଦୀ ପରି ଗୋଟିଏ ଉନ୍ନତ ଭାଷାକୁ ଆହୁରି ଉନ୍ନତତର କରିପାରିବେ ଓ ତାହା ସେ ସହଜରେ କରିପାରନ୍ତି । ମୁକୁଳ ନାମକ ମାସିକ ପତ୍ରିକାର ୩ୟ ଭାଗ, ୧ମ ସଂଖ୍ୟାରେ ଆମ୍ଭେମାନେ ପଢ଼ିଥିଲୁ ଯେ ସ୍ୱନାମ ଧନ୍ୟ ସ୍ୱର୍ଗୀୟ ନବୀନଚନ୍ଦ୍ର ରାୟ ହିନ୍ଦୀ ଭାଷାରେ ବ୍ୟାକରଣାଦି ନାନା ପୁସ୍ତକ ରଚନା କରି ଉତ୍ତର−ପଶ୍ଚିମାଞ୍ଚଳର ମହତ୍ ଉପକାର କରିଯାଇଛନ୍ତି । ଆମ୍ଭେମାନେ ଆଶାକରୁ ସକଳ ପ୍ରତିଭାବାନ ବଙ୍ଗବାସୀ ସେହିପରି ସ୍ୱୀୟ ନାମ ଧନ୍ୟ କରି କ୍ଷୁଦ୍ର ବଙ୍ଗ ପରିବର୍ତ୍ତେ ବିଶାଳ ଭାରତକୁ ଉନ୍ନତ କରିପାରିବେ ଏବଂ ପତିଭାବାନ୍ ମହାରାଷ୍ଟ୍ରୀବୃନ୍ଦ ଓ ଭାରତର ପ୍ରତ୍ୟେକ ପ୍ରଦେଶର ଅଧିବାସୀବୃନ୍ଦ ସ୍ୱଦେଶର କଲ୍ୟାଣ ପାଇଁ ସେମାନଙ୍କ ସହାୟ ହେବେ ଏବଂ ଆର୍ଯ୍ୟାବର୍ତ୍ତର ଲଳିତ ଓ ଓଜସ୍ୱିନୀ ଭାଷା ହିନ୍ଦୀ ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ ଦେଶନିବାସୀ ପ୍ରତ୍ୟେକ ହୃଦୟକୁ ସଂଯୋଗ କରିବ ।” (ଭାରତର ଭବିଷ୍ୟତ୍ ଭାଷା-ନନ୍ଦକିଶୋର ଗ୍ରନ୍ଥାବଳୀ, ପୃ ୧୦୩୭−୩୮)

 

ବ୍ୟକ୍ତିଗତ କଥା କହିବା ହୁଏତ ଠିକ୍ ନ ହୋଇପାରେ । କିନ୍ତୁ ଏଠି ପଦେ ଅଧେ କହିଦେବାକୁ ମନ ହେଉଚି, କାହିଁକିନା, ନନ୍ଦକିଶୋର ମୋ ପକ୍ଷରେ ଏ ପର୍ଯ୍ୟନ୍ତ ପୂରାପୂରି ଇତିହାସର ବସ୍ତୁ ହୋଇନାହାନ୍ତି । ତାଙ୍କ କବିତ୍ୱ ସଙ୍ଗେ ବ୍ୟକ୍ତିତ୍ୱ ମୋ ସ୍ମୃତିରେ ମିଶିକରି ଅଛି । ତେଣୁ ତାଙ୍କୁ ଦେଖିବାରେ ମୋ ଦୃଷ୍ଟିଭଙ୍ଗିରେ ପୂରାପୂରି ନିର୍ବ୍ୟପେକ୍ଷତା ଫୁଟି ନାଇ ବୋଲି କେହି ହୁଏତ ମନେ କରିପାରନ୍ତି । ସେଥିପାଇଁ ମୋ ନିଜ ଅନୁଭୂତି କଥା ଟିକଏ କହିଦେବା ମନ୍ଦ ହେବ ନାଇ ।

 

ମୁଁ ଯେତେବେଳେ କଲିକତାରେ ଏମ୍. ଏ. ଓ ବି. ଏଲ୍. ପରୀକ୍ଷା ଦେବାପାଇଁ ପଢ଼ୁଥିଲି, ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆଉ ଦୁଇ ତିନିଜଣଙ୍କ ସହିତ ଭଲ ଶିକ୍ଷତ ହୋଇପାରିବାର ଯୋଗ୍ୟତା ଅର୍ଜନ କରିପାରିବାଲାଗି ସେ କଲିକତାକୁ ପ୍ରେରିତ ହୋଇଥିଲେ । ମୋର ତାଙ୍କ ସହିତ ଖୁବ ଭାବଆଳାପ ଥିଲା-ମଧ୍ୟେ ମଧ୍ୟେ ମୁଁ ବରାବର ତାଙ୍କ ବସାକୁ ଆସୁଥିଲି । ମୋର ଏମ୍. ଏ. ପରୀକ୍ଷା ପାଇଁ ମନୋବିଜ୍ଞାନରେ ଯେଉଁସବୁ ପୁସ୍ତକ ପାଠ୍ୟ ଥିଲା, ସେହି ପୁସ୍ତକରୁ ଖଣ୍ଡେ ଅଧେ ମଧ୍ୟ ତାଙ୍କର ପାଠ୍ୟ ଥିଲା । ଦୁହେଁ ବେଳେ ବେଳେ ସେହି ବିଦ୍ୟାର ମଧ୍ୟ ଆଲୋଚନା କରୁଥିଲୁ । ସେତେବେଳେ ସେ ଅନେକ ଥର ମତେ ଦେଖାଇଛନ୍ତି ତାଙ୍କର ଲେଖାସବୁ, ଯାହାକି ଅତି ସୁନ୍ଦର ଓ ସରଳ ଇଂରେଜି ବୋଲି ତାଙ୍କ ଶିକ୍ଷକ ଭାରି ବହୁମାନ କରୁଥିଲେ । ସେକାଳେ ଭଲ ଇଂରେଜି ଲେଖିବାର ମମତା ଅନେକଙ୍କର ଥିଲା । ନନ୍ଦକିଶୋର ସେଥିରୁ ଜଣେ । ସେଇ ସମ୍ପର୍କରେ ଓଡ଼ିଆ କବିତା ପ୍ରସଙ୍ଗରେ ଇଂରେଜି କାବ୍ୟକବିତା କଥା ଆମ ଦୁହିଁଙ୍କ ଭିତରେ ପଡ଼ୁଥିଲା । ସେଥିରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରନିବାସୀ (Lake Districts) ଇଂରେଜ କବିମାନଙ୍କ ପ୍ରତି ତାଙ୍କ ପ୍ରାଣରେ ଗାଢ଼ ଆଦର ଥିବାର ମୁଁ ଜାଣେ । ଥରେ କଥା ପଡ଼ିଥିଲା ପୋପ୍ ଡ଼୍ରାଇଡ଼େନ୍‌ଙ୍କ ଭଳି ବଡ଼ ବଡ଼ କାବ୍ୟ ଲେଖିବା କବିଙ୍କ ପରେ ଓ୍ୱାର୍ଡ଼ସଓ୍ୱାର୍ଥ ପ୍ରଭୃତି ହ୍ରଦତୀରବର୍ତ୍ତୀ କବିମାନଙ୍କ ଗୋଟିକିଆ କବିତା ଲେଖା ଯେପରି ଇଂରେଜି ସାହିତ୍ୟକୁ ନିଃଶ୍ୱାସ ମାରିବାକୁ ଅବକାଶ ଦେଇଥିଲା, ଆଜି ଓଡ଼ିଶାରେ ମଧ୍ୟଯୁଗର କାବ୍ୟକଳାପରେ ସେହିପରି କବିତା ଲେଖା ହେବା ଦରକାର । ନନ୍ଦକିଶୋରଙ୍କ ‘ବସନ୍ତକୋକିଳ’ ଭଳି କବିତା ବହୁପରିମାଣରେ ଏହି ଭାବରେ ପ୍ରଭାବିତ ପ୍ରାଣରୁ ବାହାରିଥିବା ନିତାନ୍ତ ଅସଙ୍ଗତ ବା ଅସମ୍ଭବ ନୁହେ । ସୂକ୍ଷ୍ମଭାବରେ କଳନା କରି ବସିଲେ, ସେଥିରେ ପ୍ରକୃତି ଓ ପ୍ରକାରର ସାମଞ୍ଜସ୍ୟ ହୁଏତ ଖୁବ୍ ଦେଖାଯିବ । ସ୍ଥଳବିଶେଷରେ ଇଂରେଜି ଭାବକୁ ଶିରୋଭୂଷଣ କରି ନିଜେ ନନ୍ଦକିଶୋର କବିତା ଲେଖିଥିବାର ମଧ୍ୟ ଦେଖାଯାଏ ।

 

ଗୁଣଗ୍ରାହିତା ମଧ୍ୟ ତାଙ୍କର କିପରି ଥିଲା ମୁଁ ନିଜ ଅନୁଭବରୁ ଜାଣେ । ପୁରୀ ଜିଲ୍ଲାରେ ଡେପୁଟି ଇନ୍‌ସ୍ପେକ୍ଟର ଥିଲାବେଳେ ମୁଁ ମୋ ନିଜ ରଚିତ ‘ପ୍ରଣୟିନୀ’ ଓ ‘କୋଣାର୍କେ’ ଦୁଇଖଣ୍ଡି କାବ୍ୟ ତାଙ୍କୁ ଦେଇଥିଲି । ସେ ତାକୁ ପଢ଼ିସାରି ଆସି ମୋତେ କୁଣ୍ଢାଇ ପକାଇ ଯାହା କହିଥିଲେ ସେଥିରୁ କିୟଦଂଶ ହେଉଚି, “ନୀଳକଣ୍ଠ, କି ଅମୃତ ନିସ୍ୟନ୍ଦରେ ଭାବଧାରା ସହିତ ଶଦ୍ଦ ଗଳି ପଡ଼ୁଛି ? ପଢ଼ିଲେ ଛାଡ଼ି ହେଉନାହିଁ ।”

 

ମୋର ପରି ବ୍ୟକ୍ତିଗତ ଭାବରେ ତଥା ସାହିତ୍ୟିକଭାବରେ ଜାଣିଥିବା ଅନେକ ଲୋକ ଏବେ ବି ଜୀବିତ ଅଛନ୍ତି । ତେଣୁ ତାଙ୍କ କାବ୍ୟ ଓ ସାହିତ୍ୟର ଯଥାର୍ଥ ଆଲୋଚନାପାଇଁ ପ୍ରାଣବନ୍ତ ଯୁବକ ହୁଏତ ଦରକାର । ସେ ନିଜ କାବ୍ୟ−ସାହିତ୍ୟ କଳନାରେ ଯେଉଁ ପୁରୋଦୃଷ୍ଟିରେ ଆତ୍ମଦାନ କରିଥିଲେ, ଆଜି ପ୍ରବର୍ଧମାନ ଓଡ଼ିଆ ସାହିତ୍ୟରେ ତାହାର ପ୍ରଭାବ ଓ ପ୍ରେରଣା ସେହି ପ୍ରାଣବନ୍ତ ଯୁବକମାନେ କଳନା କରି ଦେଖାନ୍ତୁ । ଶରୀର ସଂବଂଧରୁ ଅତୀତ ହେଲେ ବ୍ୟକ୍ତିର ନିର୍ମଳ ପ୍ରତିଭା ଓ ଆତ୍ମାର ଅନାବିଳ ପ୍ରକାଶ ଦେଖାପଡ଼େ । ସେହି ଭାବରେ ମୁଁ କହୁଚି, କବି ନନ୍ଦକିଶୋରଙ୍କ ପ୍ରଭାବ ଆଜି ସର୍ଜନ ସାହିତ୍ୟର ପୃଷ୍ଠରଟ୍ଟରୂପେ ଖୁବ୍ ଉପାଦାନ ଯୋଗାଉଚି । ତାହା ମୁଁ ଆଉ ବିଶେଷ କହି ବୁଝାଇବି ନାଇ । ଯୁବକମାନେ ଏଥିରେ ଯେପରି ଅଜ୍ଞାତଭାବରେ ଉଦ୍‍ବୁଦ୍ଧ ହେଉଛନ୍ତି, ତାହା ସେମାନେ ବିଚାର ଦୃଷ୍ଟିରେ ଦେଖିଲେ ବୁଝିପାରିବେ ଓ ବାଟ ଦେଖାଇବାକୁ ସମର୍ଥ ହେବେ ।

 

ନିଉକାପିଟାଲ୍, ଭୁବନେଶ୍ୱର

 

 

ନୀଳକଣ୍ଠ ଦାସ

ତା ୧୨। ୪ । ୧୯୫୫

 

 

 

 

ଜୀବନୀ

ଊନବିଂଶ ଶତାଦ୍ଦୀ ଉତ୍କଳ ପକ୍ଷରେ ବଡ଼ ସଙ୍କଟ କାଳ ଥିଲା । କାରଣ, ଏହି ଶତାଦ୍ଦୀରେ ହିଁ ଉତ୍କଳ ବାସ୍ତବରେ ପରାଧୀନତା ଦୁଃଖ ବିଶେଷଭାବରେ ଭୋଗ କରିଥିଲା । ମୋଗଲ ଓ ମରହଟ୍ଟାମାନେ ଏହି ଦେଶର ଲୋକ ଥିଲେ । ସେମାନଙ୍କ ଶାସନରେ ଦେଶର ସାମରିକ ଶକ୍ତି ଏକପ୍ରକାର ଲୋପ ପାଇଥିଲେହେଁ ତାହା କଳା ଓ ସାହିତ୍ୟ ଉପରେ ସେପରି ଆଘାତ ଦେଇପାରି ନ ଥିଲା । ଏହି ଯୁଗରେ ପୁରୀ ମନ୍ଦିରର ଭୋଗମଣ୍ଡପ ନିର୍ମାଣ ସଙ୍ଗେ ସଙ୍ଗେ ଉତ୍କଳ ଦେଶର କେତେଗୁଡ଼ିଏ ଶ୍ରେଷ୍ଠ କାବ୍ୟଗ୍ରନ୍ଥ ରଚିତ ହୋଇଥିଲା । ଊନବିଂଶ ଶତାଦ୍ଦୀର ପ୍ରଥମ ପାଦରେ ଉତ୍କଳ ଇଂରେଜ ରାଜଶକ୍ତିର ଅଧୀନ ହେଲା । ସେତେବେଳକୁ ବ୍ୟବସାୟସୂତ୍ରରେ ଇଂରେଜମାନେ ଏ ଦେଶରେ ଏକପ୍ରକାର ପରିଚିତ ହୋଇଯାଇଥିଲେ । ବ୍ୟବସାୟିସୁଲଭ ନମନୀୟତା ପରିବର୍ତ୍ତେ ରାଜଶକ୍ତି−ସଙ୍ଗତ କଠୋରତା ସେମାନଙ୍କଠାରେ ଉପଲବ୍‍ଧି କରି ଦେଶବାସୀ କ୍ଷୁବ୍‍ଧ୍ ହେଲେ ଏବଂ ସେମାନଙ୍କୁ ବହିଷ୍କାର କରିବାକୁ ଉଦ୍ୟମ କଲେ; ମାତ୍ର ତାହା ବିଫଳ ହେଲା । ଇତିହାସରେ ଏହା ପାଇକବିଦ୍ରୋହ ନାମରେ ବର୍ଣ୍ଣିତ ।

ତତ୍‍କାଳୀନ ସୂର୍ଯ୍ୟାସ୍ତ ନିଲାମ ଆଇନ ଅନୁଯାୟୀ ଅଧିକାଂଶ ଭୂମ୍ୟଧିକାରୀ ସେମାନଙ୍କର ପୈତୃକ ସମ୍ପଦ ହରାଇବାରୁ ଦେଶର ଅଭିଜାତ ସଂପ୍ରଦାୟ ପ୍ରାୟ ଉଚ୍ଛନ୍ନ ହୋଇଗଲେ । କଳା ଓ ସାହିତ୍ୟ ଏହାଦ୍ୱାରା ବିଶେଷ କ୍ଷତିଗ୍ରସ୍ତ ହେଲା । ଏହା ଦ୍ୱିତୀୟ ପାଦର କଥା । ଶତାଦ୍ଦୀର ତୃତୀୟ ପାଦରେ ଦିବ୍ୟସିଂହ ଦେବଙ୍କ ନବମ ଅଙ୍କରେ କରାଳ “ନଅଙ୍କ” ଦୁର୍ଭିକ୍ଷ ପଡ଼ିଲା । ତାହା ଉତ୍କଳର ମେରୁଦଣ୍ଡକୁ ଭାଙ୍ଗିଦେଲା । ଫକୀରମୋହନଙ୍କ ଲିଖିତ ବିବରଣୀ ଅନୁଯାୟୀ ଏ ଦୁର୍ଭିକ୍ଷରେ ପ୍ରାୟ ୩୦ ଲକ୍ଷ ଲୋକ କାଳଗ୍ରାସରେ ପତିତ ହୋଇଥିଲେ । ମାତ୍ର ଉତ୍କଳର ସୌଭାଗ୍ୟକୁ ଏହି ଯୁଗରେ କେତେକ ପ୍ରାତଃସ୍ମରଣୀୟ ମନୀଷୀ ଜନ୍ମଲାଭ କରି ଏହି ଜାତିକୁ ବଞ୍ଚାଇ ରଖିପାରିଥିଲେ ।

 

ନଅଙ୍କ ଦୁର୍ଭିକ୍ଷରେ ଉତ୍କଳ ଆର୍ଥକ, ନୈତିକ ଓ ଜନଶକ୍ତି ଦୃଷ୍ଟିରେ ଅତି ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲାବେଳେ ଶାସକଗୋଷ୍ଠୀ ଶାସନ ସୁବିଧାର ଛଳନାରେ ଏହାର ସାହିତ୍ୟ ଉପରେ ଏପରି ଆଘାତ ଦେବାକୁ ଚେଷ୍ଟା କଲେ ଯେ, ତଦ୍ଦ୍ୱାରା ଜାତିର ସତ୍ତା ଲୁପ୍ତପ୍ରାୟ ହେବାକୁ ବସିଲା । “ଓଡ଼ିଆ ସ୍ୱତନ୍ତ୍ର ଭାଷା ନୁହେଁ” ଏହି ଯୁକ୍ତିରେ ଓଡ଼ିଶାର ସ୍କୁଲ କଚେରିମାନଙ୍କରୁ ତାହା ଉଠାଇ ଦେବାର ପ୍ରସ୍ତାବ କରାଗଲା । ସେତେବେଳେ ଜନନେତା ମଧୁସୂଦନ ଯୁବକ ଓ କଲିକତାପ୍ରବାସୀ ଏବଂ ଦେଶରେ ସଂପୂର୍ଣ୍ଣ ଅଜ୍ଞାତ । ଯୁବକ ଫକୀରମୋହନଙ୍କ ନେତୃତ୍ୱରେ ଗୌରୀଶଙ୍କର, ନନ୍ଦକିଶୋର ଦାସ, ବିଚ୍ଛନ୍ଦ ପଟ୍ଟନାୟକ ପ୍ରଭୃତି ଏହା ବିରୁଦ୍ଧରେ ତୀବ୍ର ଆନ୍ଦୋଳନ କଲେ । ମାତ୍ର ବିଦ୍ୟାଳୟମାନଙ୍କରେ ପଢ଼ାଇବାର ଗଦ୍ୟସାହିତ୍ୟ କାହିଁ ? ବିଚ୍ଛନ୍ଦ ପଟ୍ଟନାୟକ କେତେ ବଙ୍ଗଳା ପାଠ୍ୟପୁସ୍ତକ ଓଡ଼ିଆରେ ଅନୁବାଦ କଲେ । ପଣ୍ଡିତ ପ୍ରଭାକର ଚୂଡ଼ାମଣି କେତେଖଣ୍ଡି ଶିଶୁପାଠ୍ୟ ଗଦ୍ୟପୁସ୍ତକ ମୌଳିକ ରଚନାରୂପେ ପ୍ରକାଶ କଲେ । ମାତ୍ର ଫକୀରମୋହନ ହିଁ ଓଡ଼ିଆ ଗଦ୍ୟସାହିତ୍ୟର ଜନକରୂପେ ଆବିର୍ଭୂତ ହେଲେ । ସେ ଉଚ୍ଚଶିକ୍ଷାର ସେପରି ସୁବିଧା ପାଇ ନ ଥିଲେହେଁ ଅଧ୍ୟବସାୟ ଓ ପ୍ରତିଭାବଳରେ ଭାରତ ଇତିହାସ ପ୍ରଭୃତି ଗଦ୍ୟପୁସ୍ତକ ରଚନା କଲେ । ଏହା ୧୮୭୦ ମସିହାରେ ପ୍ରଥମେ ପ୍ରକାଶିତ ହୋଇଥିଲା । ପରେ ତାଙ୍କର ପଦାଙ୍କ ଅନୁସରଣ କରି ପ୍ୟାରୀମୋହନ ଉତ୍କଳ ଇତିହାସ ରଚନା କରିଥିଲେ । ରାଧାନାଥଙ୍କ ପ୍ରାଥମିକ ଗଦ୍ୟ ରଚନା ‘ଇତାଲୀୟ ଯୁବା’ ଓ ‘ବିବେକୀ’ ପ୍ରଭୃତି ଟିକଏ ମାର୍ଜ୍ଜିତ ଭାଷାରେ; ମାତ୍ର ତାହା ଫକୀରମୋହନଙ୍କ ଶୈଳୀ ଅନୁସରଣ କରି ଲେଖାଯାଇଥିଲା । ମଧୁସୂଦନ ରାଓଙ୍କ “ପ୍ରବନ୍ଧମାଳା” ପ୍ରଭୃତି ଉଚ୍ଚକୋଟୀର ଗଦ୍ୟ ପାଠ୍ୟପୁସ୍ତକମାନଙ୍କ ଉପରେ ବଙ୍ଗଦେଶର କାଳୀପ୍ରସନ୍ନ ଘୋଷ, ବିଦ୍ୟାସାଗରଙ୍କ ରଚିତ ‘ନିଶୀଥ ଚିନ୍ତା’, ‘ନିଭୃତ ଚିନ୍ତା’, ‘ପ୍ରଭାତ ଚିନ୍ତା’ ପ୍ରଭୃତି ଗଦ୍ୟ ପୁସ୍ତକମାନଙ୍କର ପ୍ରଭାବ ଅଧିକ ମାତ୍ରାରେ ପଡ଼ିଥିବାର ଜଣାଯାଏ । ତାଙ୍କର ପଦ୍ୟାବଳୀରେ ଉତ୍କଳ ପ୍ରାଚୀନ କବିମାନଙ୍କ ଅପେକ୍ଷା ବଙ୍ଗଦେଶର ମାଇକେଲ ମଧୁସୂଦନ ଓ ରବୀନ୍ଦ୍ରନାଥ ପ୍ରମୁଖଙ୍କ ପ୍ରଭାବ ବିଶେଷଭାବରେ ପଡ଼ିଛି । ପ୍ରାଚୀନ ଓଡ଼ିଆ ଓ ବୈଦେଶିକ କବିମାନଙ୍କର କାବ୍ୟଗ୍ରନ୍ଥରାଜି ଆଦର୍ଶରୂପେ ସମ୍ମୁଖରେ ସ୍ଥାପନ କରି ଆଧୁନିକ ସୁରୁଚିସଙ୍ଗତ ଭାବରେ ଉତ୍କୃଷ୍ଟ କାବ୍ୟଗ୍ରନ୍ଥମାନ ରଚନା କଲେ । ମାତ୍ର ଉତ୍କଳର ଜନ-ସାହିତ୍ୟ ରଚନା ଦିଗରେ ସେମାନେ ବିଶେଷ ମନୋଯୋଗ ଦେଇନାହାନ୍ତି । ତଥାପି ଶିକ୍ଷା, ସାହିତ୍ୟ ଓ ରାଜନୀତିର ପୁନରୁତ୍‍ଥାନ ଦୃଷ୍ଟିରେ ଏହାକୁ ଉତ୍କଳର Renaissance ବା ଅଭ୍ୟୁଦୟ ଯୁଗ କୁହାଯିବ ।

 

ଏହି ଅଭ୍ୟୁଦୟ ଯୁଗରେ ହିଁ ଉତ୍କଳର ଆଧୁନିକ ଜନ−କବିତାର ସ୍ରଷ୍ଟା କବି ନନ୍ଦକିଶୋରଙ୍କ ଜନ୍ମ । ଏ ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ଦାନ ମଧ୍ୟ ଅନନ୍ୟସାଧାରଣ । ଏହି ଦୁଇ ବରେଣ୍ୟ ଜନ−ସାହିତ୍ୟସ୍ରଷ୍ଟାଙ୍କର ଆବିର୍ଭାବ ଓ ତିରୋଭାବ ପ୍ରାୟ ଏକା ସମୟରେ ଘଟିଛି ।

 

ଇତିହାସପ୍ରସିଦ୍ଧ ଚୌଦ୍ୱାର ଏବଂ ଲଳିତଗିରି ଓ ଉଦୟଗିରି ପର୍ବତମାଳାର ପ୍ରତିଚ୍ଛବି ବକ୍ଷରେ ଧାରଣ କରି ପୁଣ୍ୟତୋୟା ବିରୂପା ନଦୀ ଉତ୍କଳରେ ପ୍ରସିଦ୍ଧିଲାଭ କରିଅଛି । ଏହି ବିରୂପାନଦୀର ପୂର୍ବ ଉପକୂଳରେ ସମୃଦ୍ଧିଶାଳୀ କୁସୁପୁର ଗ୍ରାମ ଅବସ୍ଥିତ । ଏହା କଟକ ଜିଲ୍ଲାର ମାହାଙ୍ଗାଥାନା ଅନ୍ତର୍ଗତ । କୁସୁପୁର ନିକଟରେ ବିରୂପା ନଦୀ ପଶ୍ଚିମରୁ ଉତ୍ତରକୁ ବହି ଯାଉଅଛି । ଏହାର ଅନତିଦୂରରେ ନଦୀର ଉତ୍ତରକୂଳରେ ଅଳତିଗିରି ଓ ଉଦୟଗିରି ପର୍ବତମାଳା ନିସର୍ଗର ମନୋହର ପ୍ରାଚୀରବତ୍ ଦଣ୍ଡାୟମାନ ରହିଛନ୍ତି । ପୂର୍ବଦିଗରେ କିଞ୍ଚିତ୍‍ଦୂରରେ ନଦୀର ଅପରପାର୍ଶ୍ୱରେ ଚନ୍ଦନ ତରୁରାଜିଶୋଭିତ ଲଳିତଗିରି ପର୍ବତମାଳା । ଗ୍ରାମର ଦକ୍ଷିଣଦିଗରେ ପଟ୍ଟାମୁଣ୍ଡାଇ କେନାଲ ଏବଂ ଶସ୍ୟଶ୍ୟାମଳ କ୍ଷେତ୍ର ବ୍ୟତୀତ ଦୁଇତିନି ମାଇଲ୍ ବ୍ୟବଧାନରେ କୌଣସି ଜନବସତି ନାହିଁ । ପଲ୍ଲୀଟିର ଏହି ପ୍ରକାରର ଅବସ୍ଥାନ ଏବଂ ପାରିପାର୍ଶ୍ୱିକ ମନୋମୁଗ୍‍ଧକର ଦୃଶ୍ୟରାଜି କବିତ୍ୱ ଉନ୍ମେଷର ଅନୁକୂଳ । ଯେଉଁମାନେ ବଙ୍ଗର ଅମରକବି ବଙ୍କିମଚନ୍ଦ୍ରଙ୍କର ବିଖ୍ୟାତ ‘ସୀତାରାମ’ ଉପନ୍ୟାସ ପାଠ କରିଛନ୍ତି, ସେମାନେ ଉକ୍ତ ଗ୍ରନ୍ଥର ପ୍ରଥମ ଖଣ୍ଡ ଏକାଦଶ ପରିଚ୍ଛେଦରେ ଏ ଅଞ୍ଚଳର ନିସର୍ଗସୁନ୍ଦର ଦୃଶ୍ୟରାଜି କବି ହୃଦୟକୁ କିପରି ମୁଗ୍‍ଧ କରିଥିଲା ତାହା ପ୍ରଣିଧାନ କରିପାରିବେ ଏହିପ୍ରକାର ପରିବେଷ୍ଟନୀ ମଧ୍ୟରେ ଥିବା କୁସୁପୁର ଗ୍ରାମରେ ୧୮୭୫ ମସିହା ଡିସେମ୍ବର ୨୨ ତାରିଖ ୧୨୮୩ ସାଲ ପୌଷ ୯ ଦିନ ବୁଧବାର କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଲ୍ଲୀକବି ନନ୍ଦକିଶୋର ଜନ୍ମଗ୍ରହଣ କରିଥିଲେ ।

 

ପୂର୍ବେ ଏହି କୁସୁପୁର ଗ୍ରାମର ନାମ କୁସୁମପୁର ଥିଲା । କବିଙ୍କ ପିତା ଭଜନାନନ୍ଦ ଜେନା ନିଷ୍ଠାପର ଓ ସଚ୍ଚରିତ୍ର ବ୍ୟକ୍ତି ଥିଲେ । ଜନନୀ ହିରଣ୍ମୟୀଦେବୀ କୋମଳହୃଦୟା ଓ ଧର୍ମପ୍ରାଣା ଥିଲେ । ନନ୍ଦକିଶୋର ପିତାଙ୍କର ଚତୁର୍ଥ ପୁତ୍ର । ଶୈଶବକାଳରେ ତାଙ୍କର ପିଉସୀ ଜାନକୀ ଦେବୀ ନନ୍ଦକିଶୋରଙ୍କୁ ପୋଷ୍ୟପୁତ୍ରରୂପେ ଗ୍ରହଣ କରିଥିଲେ । ଜାନକୀ ଦେବୀ ଆଲମଗିରିଗଡ଼ର ବିଖ୍ୟାତ ବଳବଂଶୀୟଜମିଦାରଙ୍କ ଘରେ ବିବାହ କରିଥିଲେ ଏହି ସ୍ଥାନ କୁସୁପୁରଠାରୁ ପ୍ରାୟ ୫ ମାଇଲ ଦୂରବର୍ତ୍ତୀ । ନନ୍ଦକିଶୋରଙ୍କ ଅନ୍ୟ ଭାଇମାନଙ୍କ ନାମ ଦୟାନିଧି, ନରହରି ଓ ନିତ୍ୟାନନ୍ଦ । ଏମାନଙ୍କର ଚରିତ୍ରା କବି ସ୍ୱୀୟ ‘କନକଲତା’ ଉପନ୍ୟାସରେ ଉଲ୍ଲେଖ କରିବାର ଜଣାଯାଏ ନନ୍ଦକିଶୋର ପିଲାଦିନେ ରସାନନ୍ଦ ନାମରେ ପରିଚିତ ଥିଲେ । ତାଙ୍କ ଜନ୍ମର ଅଳ୍ପକାଳ ପରେ ମାତା ହିରଣ୍ମୟୀଙ୍କର ମୃତ୍ୟୁ ହୋଇଥିଲା । ତେଣୁ ନନ୍ଦକିଶୋର ଶୈଶବ ଅବସ୍ଥାରୁ ପୋଷ୍ୟମାତା ଓ ପିଉସୀ ଜାନକୀ ଦେବୀଙ୍କ ଗୃହରେ ଲାଳିତପାଳିତ ହୋଇଥିଲେ । ପୋଷ୍ୟପୁତ୍ର ହେବାପରେ ରସାନନ୍ଦ କୌଳିକ ‘ଜେନା’ ଉପାଧି ତ୍ୟାଗକରି ନନ୍ଦକିଶୋର ବଳ ନାମରେ ପରିଚିତ ହୋଇଥିଲେ । ନୈସର୍ଗିକ ଆକର୍ଷଣ ଅତିକ୍ରମ କରି ନ ପାରି ନନ୍ଦକିଶୋର ସ୍ୱୀୟ ଜେଷ୍ଠଭ୍ରାତାମାନଙ୍କ ସହ କୁସୁପୁର ଗ୍ରାମରେ ପ୍ରାୟ ଅବସ୍ଥାନ କରୁଥିଲେ । ଜାନକୀ ଦେବୀଙ୍କ ମୃତ୍ୟୁପରେ ନନ୍ଦକିଶୋରନିଜର ପ୍ରିୟ କୁସୁପୁର ଗ୍ରାମରେ ସ୍ଥାୟୀଭାବରେ ବସବାସ କଲେ ।

 

ନନ୍ଦକିଶୋରଙ୍କ ପରିବାର ଗ୍ରାମର ଏକ ବିଶିଷ୍ଟ ଅଭିଜାତ ବଂଶ । ତାଙ୍କର ପୂର୍ବପୁରୁଷ ଖୋର୍ଦ୍ଧାର ଶାସକଗୋଷ୍ଠୀଙ୍କ ସମ୍ପର୍କୀୟ ବ୍ୟକ୍ତି ଥିଲେ । ପ୍ରାୟସାର୍ଦ୍ଧ ତିନି ଶତ ବର୍ଷ ପୂର୍ବେ କବିଙ୍କ ବଂଶର ଆଦିପୁରୁଷ ଯାଦବାନନ୍ଦ ଓ ମାଧବାନନ୍ଦ ସମ୍ରାଟ୍ ପ୍ରତାପରୁଦ୍ର ଦେବଙ୍କ ସେନା ବିଭାଗରେ କାର୍ଯ୍ୟ କରୁଥିଲେ । ପ୍ରତାପରୁଦ୍ରଙ୍କ ଆଦେଶରେ ରାଜଧାନୀ ହଠାତ୍ ଖୋର୍ଦ୍ଧାର ରଥିପୁର ଦୁର୍ଗରୁ କଟକର ବାରବାଟି ଦୁର୍ଗକୁ ସ୍ଥାନାନ୍ତରିତ ହେବାରୁ ସେନାଦଳସହ ଏହି ଭ୍ରାତୃଯୁଗଳ ମଧ୍ୟ କଟକ ଆସିଲେ । ପ୍ରତାପରୁଦ୍ରଙ୍କପରେ ତିରିଶ ବର୍ଷ ଅତୀତ ନ ହେଉଣୁ ଉତ୍କଳର ରାଜନୈତିକ ଅବସ୍ଥାର ବିପର୍ଯ୍ୟୟ ଘଟିଲା । ସେହି ସମୟରେ ଯାଦବାନନ୍ଦ ଓ ମାଧବାନନ୍ଦ କୁସୁପୁର ଗ୍ରାମରେ ବାସକରିବାକୁ ଲାଗିଲେ । କାଳକ୍ରମେ ସେମାନଙ୍କ ବଂଶଧରଗଣ କୁସୁପୁର ଓ ତନ୍ନିକଟବର୍ତ୍ତୀ ଗ୍ରାମମାନଙ୍କ ଭୂମ୍ୟଧିକାରିସ୍ୱତ୍ତ୍ୱ ଲାଭ କଲେ । ଏହି ମାଧବାନନ୍ଦଙ୍କ ଦଶମ ପୁରୁଷରେ ଅନନ୍ତଚରଣ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଭଜନାନନ୍ଦ ଓ ଗୋପୀନାଥ ନାମରେ ଦୁଇ ପୁତ୍ର ଓ ଜାନକୀ ନାମୀ କନ୍ୟା ଥିଲେ । ଏହି ଜାନକୀ କବି ନନ୍ଦକିଶୋରଙ୍କ ଜନନୀ । ଜନକବିତାର ସ୍ରଷ୍ଟା ନନ୍ଦକିଶୋରଙ୍କ ବ୍ୟତୀତ ଆଉ କେତେକ ବିଖ୍ୟାତ ବ୍ୟକ୍ତି ମଧ୍ୟ କୁସୁପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ଓଡ଼ିଶାର ପ୍ରଥମ ଡେପୁଟୀ କଲେକ୍ଟର ସ୍ୱର୍ଗତ ନରସିଂହଚରଣଦାସ ଓ ତାଙ୍କପୁତ୍ର ସ୍ୱର୍ଗତ ରାୟବାହାଦୁର ନନ୍ଦକିଶୋର ଦାସ ଏହିଗ୍ରାମରେ ଜନ୍ମଲାଭ କରିଥିଲେ । ଉତ୍କଳର ଶିଳ୍ପିଗୁରୁ ସ୍ୱର୍ଗତ ବିମ୍ବାଧର ବର୍ମା ଏବଂ କବି ଓ ଔପନ୍ୟାସିକ ଜ୍ଞାନୀନ୍ଦ୍ର ବର୍ମା ଏହି ଗ୍ରାମର ସନ୍ତାନ । ଏମାନେ ସଂପର୍କରେ ନନ୍ଦକିଶୋରଙ୍କ ପୌତ୍ର ଅଟନ୍ତି । ଶିଳ୍ପୀ ବିମ୍ବାଧର ତରୁଣ ବୟସରେ ଗ୍ରାମରେ ଅବସ୍ଥାନ କରୁଥିଲାବେଳେ ନନ୍ଦକିଶୋର ଅବସର ଗ୍ରହଣ ପରେ ସ୍ୱ ପଲ୍ଲୀର ପଲ୍ଲବମୟ ଅଙ୍କର ଆଶ୍ରୟ ଗ୍ରହଣ କରିଥିଲେ । ସେତେବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା । ବିମ୍ବାଧର ସେତେବେଳେ ନାଟ୍ୟକର । କବି ଓ ଶିଳ୍ପୀ ଉଭୟେ ମିଶି “ମୋଗଲ−ମହାନାୟକ” ନାମକ ଏକ ନାଟକ ରଚନା କରିଥିଲେ । ନନ୍ଦକିଶୋର ଏହି ନାଟକର ବିଷୟବସ୍ତୁ ଯୋଗାଇଥିଲେ । ଏହାର ପଟ୍ଟଭୂମିରେ ଆଲମଗିରି ଗଡ଼ର ଏକ ଇତିହାସ ନିବଦ୍ଧ ଥିଲା । କିନ୍ତୁ ପରବର୍ତ୍ତୀକାଳରେ ଏ ଲେଖାର ଆଉ କୌଣସି ସନ୍ଧାନ ମିଳିନାହିଁ ।

 

ନନ୍ଦକିଶୋରଙ୍କ ବାଲ୍ୟକାଳରେ ଆଜିକାଲି ପରି ପଲ୍ଲୀଗ୍ରାମମାନଙ୍କରେ ବିଦ୍ୟାଳୟ କିମ୍ବା ପାଠଶାଳା ନ ଥିଲା । କୌଣସି କୌଣସି ଗ୍ରାମରେ ଥିବା ଚୌପାଢ଼ୀରେ କ୍ଷିତିବଂଶୀୟ ଶିକ୍ଷକ ଜଣେ ଜଣେ ରହି ଗ୍ରାମର ମୁଖ୍ୟବ୍ୟକ୍ତିଙ୍କ ପିଲାମାନଙ୍କୁ ସେ କାଳ ରୀତିରେ ହିସାବକିତାବ ଏବଂ ଗୀତ ଭାଗବତ ଶିକ୍ଷା ଦେଉଥିଲେ । କିନ୍ତୁ ଏହି ସମୟରେ କୁସୁପୁର ଗ୍ରାମର ଚୌପାଢ଼ୀଟି ଭାଙ୍ଗିଯାଇଥିବାରୁ ଜଣେ ସ୍ଥାନୀୟ ଶିକ୍ଷକଙ୍କ ନିକଟରେ ନନ୍ଦକିଶୋର ବାଲ୍ୟପାଠ ଶେଷ କରିଥିଲେ । ଏହି ଶିକ୍ଷକଙ୍କ ନାମ ଅନନ୍ତ ମିଶ୍ର । ସେ ଅଷ୍ଟାବକ୍ରସଦୃଶ ଏବଂ ଖଞ୍ଜ ଥିଲେ । ସେ ନିଜର ଗୃହପ୍ରାଙ୍ଗଣରେ ମାଟିର ଗୋଟିଏ କ୍ଷୁଦ୍ର ବେଦୀ ଉପରେ ଅଖାପାଲ ଖଣ୍ଡିଏ ବିଛାଇ ତହିଁ ଉପରେ ବସି ଛାତ୍ରମାନଙ୍କୁ ଶିକ୍ଷାଦାନ କରୁଥିଲେ । ଚଳତ୍‍ଶକ୍ତିହୀନ ଥିବାରୁ ୪।୫ ହାତ ଦୀର୍ଘ ଖଣ୍ଡେ ବେତ ଧରି ସେ ଛାତ୍ରମାନଙ୍କୁ ଶାସନ କରୁଥିଲେ । ଏହି ଗୃହ−ପାଠଶାଳାରେ ସତରଫଳାଠାରୁ ଆରମ୍ଭ କରି ପଣକିଆ, ଶୋଧି, ଓଡ଼ାଙ୍କ, ମେଲାଙ୍କ ପ୍ରଭୃତି ଖଡ଼ିପାଠ ତାର ସ୍ୱରରେ ସଙ୍ଗୀତ ଭଙ୍ଗୀରେ ଆବୃତ୍ତ କରୁଁ କରୁଁ ଛାତ୍ରମାନେ ଲେଖନରେ ବ୍ୟାପୃତ ହେଉଥିଲେ । କୌଣସି ଛାତ୍ରର ସ୍ୱର ଅନୁଚ୍ଚ ହେଲେ କିମ୍ବା କେହି ଆବୃତ୍ତ ବା ଲେଖନ ପାଠ ଭଲ ନ କଲେ ଶିକ୍ଷକଙ୍କ ଦୀର୍ଘ ବେତ ଛାତ୍ରର ପୃଷ୍ଠଦେଶ ସଶଦ୍ଦରେ ସ୍ପର୍ଶ କରୁଥିଲା । ଏହି ଖଞ୍ଜ ଶିକ୍ଷକଙ୍କର ଗୁରୁ ବା ଲଘୁ ଶଙ୍କା ଉପସ୍ଥିତ ହେଲେ ବୟସ୍କ ଚାଟମାନେ ଗୋଟିଏ ଚାରିଚକବିଶିଷ୍ଟ ଛୋଟ ଗାଡ଼ିରେ ତାଙ୍କୁ ବସାଇ ଶଙ୍କା ସ୍ଥାନକୁ ନେବାଆଣିବା କରୁଥିଲେ । Cane is the last resource ରୂପେ ସେତେବେଳେ ପ୍ରାୟ ସବୁଦେଶର ଅନ୍ୟ କୌଣସି କାର୍ଯ୍ୟପାଇଁ ଅଯୋଗ୍ୟ ଶିକ୍ଷିତ ବ୍ୟକ୍ତିଙ୍କୁ ଜୀବିକାର୍ଜନ ପାଇଁ ଶିକ୍ଷକତା ଅବଲମ୍ବନ କରିବାକୁ ହେଉଥିଲା । ଏବଂବିଧ ପାଠଶାଳାରେ କବି ତାଙ୍କର ବାଲ୍ୟଶିକ୍ଷା ସାଙ୍ଗକରି ସ୍ଥାନୀୟ ଜମିଦାରୀ କଚେରିରେ ସିରସ୍ତାକାର୍ଯ୍ୟରେ ତାଲିମ ହେଲେ । ସେତେବେଳେ ତାଙ୍କର ବୟସ ୧୨ ବର୍ଷ ମାତ୍ର । ବାଲ୍ୟକାଳର ଏହି ପାଠଶାଳାର ଅନୁଭୂତି କବି ନିଜର “ପଲ୍ଲୀଚିତ୍ର” କବିତାରେ କେତେକାଂଶରେ ପରିବେଷଣ କରିଥିବାର ଦେଖାଯାଏ ।

 

କବିଙ୍କ ଶୈଶବକାଳରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ବିପୁଳ ପରିବର୍ତ୍ତନ ଘଟିଥିଲା । ସେ କାଳରେ ଶିକ୍ଷା ବିଭାଗ ଗୋଟିଏ ସ୍ୱତନ୍ତ୍ର ବିଭାଗ ହୋଇ ନଥିଲା । ଜିଲ୍ଲା କଲେକ୍ଟରଙ୍କ ଜଣେ ଅଧସ୍ତନ ଡେପୁଟୀ ମାଜିଷ୍ଟ୍ରେଟଙ୍କ ଉପରେ ଶିକ୍ଷା ସମସ୍ୟା ନ୍ୟସ୍ତ ଥିଲା । ମହାମତି ଲର୍ଡ଼ ରିପନ୍‍ଙ୍କଦ୍ୱାରା ଜିଲ୍ଲା ବୋର୍ଡ଼, ମ୍ୟୁନିସିପାଲିଟୀ ପ୍ରଭୃତ ସ୍ୱାୟତ୍ତ ଶାସନ ବିଭାଗମାନ ଗଠିତ ହୁଅନ୍ତେ କଟକ ଜିଲ୍ଲାପାଇଁ ସ୍ୱର୍ଗତ ମଧୁସୂଦନ ରାଓ ଶିକ୍ଷାବିଭାଗର ପ୍ରଥମ ଡେପୁଟୀ ଇନ୍‍ସ୍‌ପେକ୍ଟର ନିଯୁକ୍ତ ହେଲେ । କବିବର ରାଧାନାଥରାୟ ସେ ସମୟରେ ଓଡ଼ିଶା ଶିକ୍ଷାବିଭାଗର ଜଏଣ୍ଟ ଇନ୍‍ସ୍‌ପେକ୍ଟର ଥିଲେ । ରାଧାନାଥ ଓ ମଧୁସୂଦନ ଶିକ୍ଷାପ୍ରସାର ଉଦ୍ଦେଶ୍ୟରେ ଏ ଅଞ୍ଚଳକୁ ଆସିଥିଲେ । କବିଙ୍କର ଅନ୍ୟତମ ବାଲ୍ୟଗୁରୁ କୃଷ୍ଣଚନ୍ଦ୍ର ପଣ୍ଡା ତାଙ୍କୁ ନିକଟବର୍ତ୍ତୀ ଲାଳିତଗିରି ଓ ଉଦୟଗିରି ତଥା ପ୍ରାଚୀନ ପୁଷ୍ପଗିରି ବିହାରର କଳାଶିଳ୍ପ ସଙ୍ଗରେ ବୁଲାଇ ଦେଖାଇ ଥିଲେ । କୃଷ୍ଣଚନ୍ଦ୍ର ପଣ୍ଡା ମହାସିହପୁର ମଧ୍ୟ ଭର୍ଣ୍ଣାକୁଲରସ୍କୁଲରେ ପଢ଼ି ଭର୍ଣ୍ଣାକୁଲର ପାସ କରିଥିଲେ । ମଧୁସୂଦନଙ୍କଦ୍ୱାରା ପ୍ରୋତ୍ସାହିତ ହୋଇ ଗ୍ରାମର ବିଶିଷ୍ଟ ଉତ୍ସାହୀ ବ୍ୟକ୍ତି ନିତ୍ୟାନନ୍ଦ ଜେନାଙ୍କ ସମ୍ପାଦକତାରେ ଗୋଟିଏ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଗଲା । କବିଙ୍କ ଜ୍ୟେଷ୍ଠାଗ୍ରଜ ଦୟାନିଧି ଜେନା ସେମାନଙ୍କର ଏ କାର୍ଯ୍ୟରେ ବିଶେଷ ସହଯୋଗ କରିଥିଲେ । ଏହା ୧୮୮୭ ମସିହାର କଥା । ନନ୍ଦକିଶୋର ଓ ତାଙ୍କର ସମବୟସ୍କ କେତେକ ଯୁବକ ପ୍ରଥମେ ଏହି ସ୍କୁଲରେ ଛାତ୍ରରୂପେ ଗୃହୀତ ହେଲେ । ଜମିଦାରୀ ସିରସ୍ତାରେ ତାଲିମ ହେଉଥିବା ନନ୍ଦକିଶୋରଙ୍କ ଭାଗ୍ୟ ଏହିଠାରୁ ସଂପୂର୍ଣ୍ଣ ପରିବର୍ତ୍ତିତ ହୋଇଗଲା । ୧୮୯୦ ମସିହାରେ ନନ୍ଦକିଶୋରଙ୍କ ସମେତ ୯ ଜଣ ଛାତ୍ର ଉ:ପ୍ରା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ନନ୍ଦକିଶୋର ଜିଲ୍ଲା ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଉ:ପ୍ରା: ବୃତ୍ତି ଲାଭ କଲେ । ଏହି ସମୟରେ ନନ୍ଦକିଶୋରଙ୍କଠାରେ ପ୍ରଥମେ କବିତାର ଉନ୍ମେଷ ଘଟିଥିଲା । ପରୀକ୍ଷା ଦେବାକୁ ସେ କଟକ ଯିବା ପୂର୍ବରୁ କୃତକାର୍ଯ୍ୟତା ନିମିତ୍ତ ପ୍ରାର୍ଥନା କରି ଗ୍ରାମଦେବତା ନାରାୟଣଚଣ୍ଡୀଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ତୋତ୍ର ରଚନା କରି ଦେବତାଙ୍କ ମନ୍ଦିରରେ ପାଠ କରିଥିଲେ ।

 

ଏହାପରେ ନନ୍ଦକିଶୋର କଟକ ଟାଉନ ସ୍କୁଲରେ (ବର୍ତ୍ତମାନ ଭକ୍ତମଧୁ ବିଦ୍ୟାପୀଠ) ଭର୍ତ୍ତିହେଲେ । ବାଗ୍ମୀ ବିଶ୍ୱନାଥ କର ସେତେବେଳେ ପ୍ରଧାନ ଶିକ୍ଷକ ଓ ଭକ୍ତକବି ମଧୁସୂଧନ ବିଦ୍ୟାଳୟର ସଂପାଦକ । ଏହି ଦୁଇ ଜଣ ସ୍ୱନାମଧନ୍ୟ ମନୀଷୀଙ୍କ ସଂସ୍ପର୍ଶରେ ଆସିବା ଫଳରେ ନନ୍ଦକିଶୋରଙ୍କ ଶିକ୍ଷା, କବିଜୀବନ, ଚରିତ୍ରଗଠନ ଓ ଧର୍ମମତ ଉପରେ ସେମାନଙ୍କର ଯଥେଷ୍ଚ ପ୍ରଭାବ ପଡ଼ିଥିଲା । ସେତେବେଳେ ନନ୍ଦକିଶୋରଙ୍କ ଜ୍ୟେଷ୍ଠ ଗ୍ରଜ ଦୟାନିଧି ନରାଜ ଇଷ୍ଟେଟ୍‌ର ପରିଚାଳକରୂପେ କଟକରେ ଅବସ୍ଥାନ କରୁଥିଲେ । କଟକ ସହରରେ ତାହାଙ୍କ ତତ୍ତ୍ୱାବଧାନରେ ରହି ନନ୍ଦକିଶୋର ପଢ଼ା ଆରମ୍ଭ କଲେ । ଦୟାନିଧି ଏକାଧାରରେ ତାଙ୍କର ଅଗ୍ରଜ, ଅଭିଭାବକ, ଉପଦେଷ୍ଟା ଓ ପୃଷ୍ଠପୋଷକ ଥିବାରୁ ନନ୍ଦକିଶୋରଙ୍କ ଅଧ୍ୟୟନର ପଥ ସୁଗମ ହୋଇଥିଲା । ବିଶ୍ୱନାଥ କବିଙ୍କର କୁଳପୁରୋହିତ, ପ୍ରତିବେଶୀ ପୁଣି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଥିବାରୁ ନନ୍ଦକିଶୋରଙ୍କ ବିଦ୍ୟାଧ୍ୟୟନରେ ସର୍ବଦା ସତର୍କ ଦୃଷ୍ଟି ରଖିଥିଲେ ଏବଂ ନନ୍ଦକିଶୋରଙ୍କ ମେଧାବୀତାରେ ବିଶେଷ ପ୍ରୀତ ହୋଇଥିଲେ ।

 

ନନ୍ଦକିଶୋର ଟାଉନ ସ୍କୁଲରୁ କୃତିତ୍ୱସହକାରେ ମାଇନର ପାସ୍ କରି ବୃତ୍ତିଲାଭ କଲେ ଏବଂ ଗଣିତରେ କୃତିତ୍ୱ ପାଇଁ ଗୋଟିଏ ବିଶେଷ ବୃତ୍ତି ମଧ୍ୟ ପାଇଲେ । ସେତେବେଳେ ଟାଉନ ସ୍କୁଲ ଉଚ୍ଚ ଇଂରାଜୀ ସ୍କୁଲ ସ୍ତରକୁ ଉନ୍ନୀତ ହୋଇ ନ ଥିବାରୁ ନନ୍ଦକିଶୋର କଟକ କଲେଜିଏଟ୍ ସ୍କୁଲରେ ନାମ ଲେଖାଇଲେ । ମଧୁସୂଦନ ସେଠାରେ ପ୍ରଧାନ ଶିକ୍ଷକ । ଏହି ସମୟରେ ନନ୍ଦକିଶୋର ଗୁରୁ ମଧୁସୂଦନଙ୍କ ପ୍ରତ୍ୟକ୍ଷ ପ୍ରଭାବରେ ପଡ଼ିଥଲେ । ସେତେବେଳକୁ ମଧୁସୂଦନଙ୍କ ପ୍ରଭାବରେ ପଡ଼ି ବିଶ୍ୱନାଥ ବ୍ରାହ୍ମଧର୍ମ ଗ୍ରହଣ କରିଥିଲେ । ନନ୍ଦକିଶୋର ବ୍ରାହ୍ମଧର୍ମ ପ୍ରତି ଆକୃଷ୍ଟ ହୋଇ ରୀତିମତ ବ୍ରାହ୍ମ ସମାଜକୁ ଯିବାଆସିବା କଲେ । ମାତ୍ର ତାଙ୍କର ଅଭିଭାବକମାନେ ଏ କାର୍ଯ୍ୟକୁ ଅନୁମୋଦନ କଲେ ନାହିଁ । ବିଶ୍ୱନାଥଙ୍କ ଧର୍ମାନ୍ତରଗ୍ରହଣ ସେତେବେଳେ ହିନ୍ଦୁ ସମାଜରେ ଚାଞ୍ଚଲ୍ୟ ସୃଷ୍ଟି କରିଥାଏ । ସୁତରାଂ ନନ୍ଦକିଶୋରଙ୍କ ପଢ଼ାପଢ଼ି ବନ୍ଦ କରିଦେବାର ମସୁଧା ହେଲା । କିନ୍ତୁ ଅଗ୍ରଜ ଦୟାନିଧି ଅତି ଧୀଶକ୍ତିସମ୍ପନ୍ନ ବ୍ୟକ୍ତି ଥିବାରୁ ନନ୍ଦକିଶୋରଙ୍କ ପଢ଼ାର ଅନ୍ୟ ବ୍ୟବସ୍ଥା କେନ୍ଦ୍ରାପଡ଼ା ହାଇସ୍କୁସକୁ ସ୍ଥାନାନ୍ତରିତ କରାଗଲା । ମଧୁସୂଦନ ଆତି ଦୁଃଖର ସହ ତାଙ୍କୁ ସ୍କୁଲ ପରିବର୍ତ୍ତନର ଅନୁମତିପତ୍ର ଦେଇଥିଲେ । ନନ୍ଦକିଶୋରଙ୍କ ପିତା କେନ୍ଦ୍ରାପଡ଼ାଠାରେ ଏକ ଜମିଦାରୀ ଇଷ୍ଟେଟରେ ତହସିଲଦାର ଥିଲେ । ପିତାଙ୍କ ସାକ୍ଷାତ୍ ତତ୍ତ୍ୱାବଧାନରେ ରହି ଓ ସ୍ୱନାମଧନ୍ୟ ହେଡ଼ମାଷ୍ଟର ଓ୍ୟାରସିଅଲିଙ୍କ ନିକଟରେ ଶିକ୍ଷାଲାଭ କରି ନନ୍ଦକିଶୋର ୧୮୯୭ ମସିହାରେ ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ବୃତ୍ତିଲାଭ କରିଥିଲେ ।

 

ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନନ୍ଦକିଶୋର କଟକ ରେଭେନ୍‌ସା କଲେଜରେ ଅଧ୍ୟୟନ କଲେ । କିନ୍ତୁ କଟକ ଅବସ୍ଥାନଦ୍ୱାରା ପୁଣି ମଧୁସୂଦନ ଓ ବିଶ୍ୱନାଥ ପ୍ରଭୃତିଙ୍କ ପ୍ରଭାବରେ ପଡ଼ି ବ୍ରାହ୍ମଧର୍ମପ୍ରତି ଆକୃଷ୍ଟ ହେବା ଆଶଙ୍କାରେ ତାଙ୍କ ମନର ପରିବର୍ତ୍ତନ ଆଣିବା ପାଇଁ ତାଙ୍କୁ ପରିଣୟସୂତ୍ରରେ ଆବଦ୍ଧ କରାଗଲା । କଟକ ଜିଲ୍ଲାର ଅସୁରେଶ୍ୱର ପ୍ରଗଣା ଅନ୍ତର୍ଗତ ବାନ୍ତଳା ଗ୍ରାମବାସୀ ହରେକୃଷ୍ଣ ସାମଲଙ୍କ କନ୍ୟା ଶ୍ରୀମତୀ କୋକିଳ ଦେବୀଙ୍କ ସହ କବିଙ୍କର ଶୁଭପରିଣୟ ସମ୍ପାଦିତ ହୋଇଥିଲା । ଏହି ବିବାହଦ୍ୱାରା ତାଙ୍କ ଜୀବନର ମାର୍ଗ ସ୍ଥିରୀକୃତ ହୋଇ ଯାଇଥିଲା । ଏହି ସମୟଠାରୁ ତାଙ୍କ ଜୀବନର ପ୍ରତ୍ୟେକ କାର୍ଯ୍ୟରେ କୋକିଳ ଦେବୀଙ୍କର ପ୍ରଭାବ ଛତ୍ରେ ଛତ୍ରେ ଅନୁଭୂତ ହୁଏ । କବି Reformed Hindu, ତଥାପି ପୌତ୍ତଳିକ ହିନ୍ଦୁ କୋକିଳ ଦେବୀଙ୍କ ପ୍ରଭାବରୁ ଆପଣାକୁ ମୁକ୍ତ କରିପାରି ନଥିଲେ । ଏହିଠାରୁ ବସ୍ତୁତଃ ତାଙ୍କର କବି−ଜୀବନ ଆରମ୍ଭ ହେଲା । ଯେପରିକି ଅନ୍ତର୍ନିହିତ ଭାବୋଚ୍ଛ୍ୱାସ ବିବାହଦ୍ୱାରା ସ୍ପନ୍ଦନଲାଭ କରି କବିତାରେ ରୂପାନ୍ତରିତ ହେଲା । “ବସନ୍ତ କୋକିଳ”ର ଅଧିକାଂଶ କବିତା ଏହି ନବବିବାହିତ କଲେଜ ଜୀବନରେ ରଚିତ ହୋଇଥିଲା । କଲେଜ ଅଧ୍ୟୟନକାଳରେ ତାଙ୍କ ପାଠ ସମୟରେ ଅଧିକ ଭାଗ ଇଂରାଜୀ ସାହିତ୍ୟ, ପ୍ରାଚୀନ, ତଥା ଆଧୁନିକ ଓଡ଼ିଆ ସାହିତ୍ୟ ଏବଂ ସମସାମୟିକ ବଙ୍ଗସାହିତ୍ୟ ପ୍ରଭୃତି ଚର୍ଚ୍ଚାରେ ବ୍ୟୟିତ ହେଉଥିଲା । ଏହାଛଡ଼ା କଲେଜ ଜୀବନ ପ୍ରାରମ୍ଭରେ ହିଁ ସେ ରୀତିମତ କବିତା ରଚନା ଆରମ୍ଭ କରିଦେଇଥିଲେ । ସେ କବି ଭାବରେ ସୁପରିଚିତ; ମାତ୍ର ସେ ଯେ ସମସାୟିକ ଶିକ୍ଷିତମଣ୍ଡଳୀରେ ଜଣେ ଉଚ୍ଚକୋଟୀର ବ୍ୟୁତ୍ପନ୍ନ ପଣ୍ଡିତ ଥିଲେ ତାହା ଯେଉଁମାନେ ତାଙ୍କର ଘନିଷ୍ଠ ସଂସ୍ପର୍ଶରେ ଆସିଛନ୍ତି ସେମାନେ ଉତ୍ତମରୂପେ ଜାଣନ୍ତି । ତାଙ୍କ ସହିତ କୌଣସି ବିଷୟ ଆଲୋଚନା କଲାବେଳେ କିମ୍ବା ତାଙ୍କର ଦୈନନ୍ଦିନ କାର୍ଯ୍ୟାବଳୀରେ ଏହାର ସୂଚନା ମିଳିଥାଏ । କଲେଜରେ ଉପେନ୍ଦ୍ରନାଥ ମୈତ୍ର, ଏନ୍. ଏ. ହଲ୍‍ଓ୍ୟାଡ଼୍ ପ୍ରଭୃତି ପ୍ରବୀଣ ଅଧ୍ୟାପକମାନଙ୍କ ସଂସ୍ପର୍ଶରେ ଆସି ସେ ସ୍ୱୀୟ ଜ୍ଞାନର ପରିସର ବୃଦ୍ଧି କରିଥିଲେ ।

 

ସେ କଲେଜରେ ତୃତୀୟ ବାର୍ଷିକ ଶ୍ରେଣୀରେ ପଢ଼ିବାବେଳେ ତାଳଚେର ପଦକ ପ୍ରଦାନ ପାଇଁ ପ୍ରବନ୍ଧ ପତିଯୋଗିତା ହୋଇଥିଲା । ପ୍ରବନ୍ଧର ବିଷୟବସ୍ତୁ ଥିଲା ‘ଉତ୍କଳର ପଲ୍ଲୀଜୀବନ’ । ପରୀକ୍ଷକ ଥିଲେ କଲେଜର ଅଧ୍ୟଷ, ବିଭାଗୀୟ କମିଶନର ଏବଂ ଟ୍ରେନିଂ ସ୍କୁଲର ହେଡ୍‌ମାଷ୍ଟର କବି ମଧୁସୂନ୍ଦନ ରାଓ । ପ୍ରବନ୍ଧଟି ଇଂରାଜୀରେ ଲେଖାଯାଇଥିଲା । କବିଙ୍କ ପ୍ରବନ୍ଧଟି ଶ୍ରେଷ୍ଠ ବିବେଚିତ ହେବାରୁ ତାଙ୍କୁ ତାଳଚେର ସ୍ୱର୍ଣ୍ଣପଦକ ପ୍ରଦତ୍ତ ହୋଇଥିଲା । ମଧୁସୂଦନଙ୍କ ଠାରୁ ଉଚ୍ଚ ପ୍ରଶଂସା ଏବଂ ପ୍ରେରଣା ଲାଭକରି ଉକ୍ତ ଇଂରାଜୀ ପ୍ରବନ୍ଧଟିକୁ ସେ ଓଡ଼ିଆରେ “ପଲ୍ଲୀଚିତ୍ର” ପ୍ରଥମ ଭାଗ ନାମ ଦେଇ କବିତାରେ ରୂପାନ୍ତରିତ କରିଥିଲେ । ଏହି କବିତା ପୁସ୍ତକ ତାଙ୍କୁ ପଲ୍ଲୀକବି ଆଖ୍ୟାରେ ବିଖ୍ୟାତ କରିଥିଲା । ଏତେବେଳକୁ ସେ ଉତ୍କଳ−ସାହିତ୍ୟ ପତ୍ରିକାରେ କବିତା ଓ ପ୍ରବନ୍ଧମାନ ଲେଖି ଉତ୍କଳରେ ଜଣେ ପ୍ରସିଦ୍ଧ ଲେଖକରୂପେ ଗଣ୍ୟ ହୋଇସାରିଥିଲେ ।

 

ନନ୍ଦକିଶୋର କଲେଜରେ ଅଧ୍ୟୟନ କରୁଥିବା ସମୟରେ ଉତ୍କଳ−ସାହିତ୍ୟର ଉନ୍ନତି ପାଇଁ ଏକ ସାହିତ୍ୟ ସସଦ ଗଠିତ ହୋଇଥିଲା । ଉତ୍କଳ ଇତିହାସର ଲେଖକ ଅଭିରାମ ଭଞ୍ଜ, ସୀତାବିବାହ ନାଟକର ପ୍ରଣେତା କାମପାଳ ମିଶ୍ର, ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ରପ୍ରହରାଜ, ରାମକୃଷ୍ଣ ବୋଷ, ବିନୋଦବିହାରୀ ଦାସ, ରାମକୃଷ୍ଣ ନାୟକ ପ୍ରଭୃତି ଏହି ସଂସଦର କର୍ମୀ ଥିଲେ । ସନ୍ଧ୍ୟାସମୟରେ ସେମାନେ ଏକତ୍ର ହୋଇ ସ୍ୱରଚିତ ଗଳ୍ପ, କବିତା, ପ୍ରବନ୍ଧ ପ୍ରଭୃତିର ପାଠ ଓ ସମାଲୋଚନା କରୁଥିଲେ । ନନ୍ଦକିଶୋର ସେଥିରେ ଯୋଗଦେଇ ନିଜର ସାହିତ୍ୟିକ ସାଧନାକୁ ଅଧିକ ବିକଶିତ କରୁଥିଲେ । ପରବର୍ତ୍ତୀ କାଳରେ “କଟକ ଆଲୋଚନା ସଭା” ନାମରେ ଏକ ସାହିତ୍ୟିକ ଅନୁଷ୍ଠାନ ମଧ୍ୟ ଗଠିତ ହୋଇଥିଲା । ଏହାର ବୈଠକ ସାଧାରଣତଃ କବି ମଧୁସୂଦନଙ୍କ ବାସଭବନରେ ଓ ପ୍ରିଣ୍ଟିଂକମ୍ପାନୀ କୋଠାରେ ବସୁଥିଲା । ଏହି ଆଲୋଚନା ସଭାରେ ନନ୍ଦକିଶୋର ପ୍ରଧାନ ସମାଲୋଚକର ସ୍ଥାନ ଗ୍ରହଣ କରୁଥିଲେ । ସଭାରେ ସଧୁସୂଦନ ଓ ରାଧାନାଥ ମଧ୍ୟ ଅନେକ ସମୟରେ ଉପସ୍ଥିତ ରହୁଥିଲେ । ସେଠାରେ ନନ୍ଦକିଶୋର, ରାଧାନାଥ ଓ ମଧୁସୂଦନଙ୍କ କାବ୍ୟ କବିତାର ଯେଉଁ ସମାଲୋଚନା କରୁଥିଲେ ତାହା ଗ୍ରନ୍ଥାବଳୀରେ ନିବଦ୍ଧ କରାଯାଇଛି । ସେସବୁ ଦେଖିଲେ ନନ୍ଦକିଶୋରଙ୍କ ସାହିତ୍ୟର ମାନ ସମ୍ବନ୍ଧରେ ଏକ ସ୍ପଷ୍ଟ ଧାରଣା ଜାତ ହୁଏ । ଯେତେବେଳେ ଉତ୍କଳ ରାଧାନାଥଙ୍କର କେବଳ ଯଶୋଗାନରେ ବିଭୋର ସେତେବେଳେ ତରୁଣକବି ନନ୍ଦକିଶୋର ତାଙ୍କର ଦୁର୍ବଳ ଚରିତ୍ର ସୃଷ୍ଟି ସମ୍ବନ୍ଧରେ ଯେଉଁ ବାଣୀ ଉଚ୍ଚାରଣ କରିଥିଲେ ତାହା ଏକ ଦୁର୍ଲ୍ଲଭ ଦୁଷ୍ଟାନ୍ତ ।

 

କଲେଜ ଶିକ୍ଷା ଶେଷ ନ ହେଉଣୁ ପିତାଙ୍କର ପରଲୋକ ହେବାରୁ ନନ୍ଦକିଶୋରଙ୍କ କବି−କଳ୍ପନା ଉପରେ ପାରିବାରିକ ଦାୟିତ୍ୱ ବହନର ଚିନ୍ତା ଚାପ ପକାଇବାକୁ ଲାଗିଲା । ତେଣୁ ସେ ୧୮୯୯ ମସିହାରେ ବି. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ସଙ୍ଗେ ସଙ୍ଗେ କର୍ମକ୍ଷେତ୍ରରେ ପ୍ରବେଶ କଲେ । କବି ମଧୁସୂଦନଙ୍କ ପ୍ରତିଷ୍ଠିତ କଟକ ଟାଉନ ସ୍କୁଲରେ ସେ ଶିକ୍ଷକ କାର୍ଯ୍ୟ ଗ୍ରହଣ କଲେ । ଏହି ସମୟରେ ଟାଉନ୍ ସ୍କୁଲ୍ ଇଂରାଜୀ ସ୍କୁଲରେ ପରିଣତ ହୋଇଥିଲା ଓ ତାହାର ନାମ ଟାଉନ ଭିକ୍ଟୋରିଆ ହାଇସ୍କୁଲ ରଖାଯାଇଥିଲା । ବିଦ୍ୟାଗୁରୁ ମଧୁସୂଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନନ୍ଦକିଶୋର ନାମମାତ୍ର ବେତନରେ ଶିକ୍ଷକତା କରୁଥିଲେ । ସେ ଛାତ୍ରମାନଙ୍କୁ ଉତ୍ତମରୂପେ ଶିକ୍ଷା ଦେଉଥିଲେ । ଏବଂ ଶିଷାଦାନକୁ ଅର୍ଥାଗମର ଉପାୟ ସ୍ୱରୂପ ମନେ ନ କରି ଦେଶସେବାର ଅଙ୍ଗରୂପେ ଗ୍ରହଣ କରିଥିଲେ । ସେଥିପାଇଁ ସେ ଛାତ୍ର, ସହକର୍ମୀ ଓ ଜନସାଧାରଙ୍କର ଶ୍ରଦ୍ଧାଭାଜନ ହୋଇପାରିଥିଲେ । ଶିକ୍ଷକତା ସଙ୍ଗେ ସଙ୍ଗେ ସେ ବାଣୀ ଆରାଧନାରେ ମଧ୍ୟ ନିଯୁକ୍ତ ରହିଥିଲେ । ଏହି ସମୟରେ ତାଙ୍କର ପଲ୍ଲୀଚିତ୍ର, ନିର୍ଝରିଣୀ, ଚାରୁଚିତ୍ର, ନିର୍ମାଲ୍ୟ, କୃଷ୍ଣକୁମାରୀ, ସୀତାବନବାସ ଏବଂ ଜନ୍ମଭୂମି କବିତାଗ୍ରନ୍ଥ ରଚିତ ଓ ପ୍ରକାଶିତ ହୋଇଥିଲା ।

୧୯୦୦ ମସିହାରେ କବିଙ୍କର “ଓଡ଼ିଆ ଲଳନା” ବ୍ୟଙ୍ଗ କବିତା ଉତ୍କଳ−ସାହିତ୍ୟ ପତ୍ରିକାରେ ‘ଶ୍ରୀ’ ନାମରେ ପ୍ରକାଶିତ ହୋଇଥିଲା । ଏ ଘେନି ଶିକ୍ଷିତ ଓଡ଼ିଆମାନଙ୍କ ମହଲରେ ଚାଞ୍ଚଲ୍ୟ ଖେଳିଯାଇଥିଲା । କବି ରାଧାନାଥ ମଧ୍ୟ ଏଥିରେ ବିଚଳିତ ହୋଇ ଉତ୍କଳ ସାହିତ୍ୟ ସମ୍ପାଦକ ଶ୍ରୀ ବିଶ୍ୱନାଥ କରଙ୍କୁ ହୁଗୁଳିଠାରୁ ଲେଖିଥିଲେ “ଏପରି କବିତା ପ୍ରକାଶ କରିବାଦ୍ୱାରା ବିଜ୍ଞତାର ପରିଚୟ ଦେଇନାହାନ୍ତି ।” ଶ୍ରୀ ବ୍ରଜସୁନ୍ଦର ଦାସ, ଶ୍ରୀ ଗୋପବନ୍ଧୁ ଦାସ ଓ ଶ୍ରୀ ହରେକୃଷ୍ଣ ନାୟକ “କର୍ତ୍ତବ୍ୟବୋଧିନୀ” ସଭା ପକ୍ଷରୁ ଓଡ଼ିଆ ନାରୀର ବେଶଭୂଷାର ନିନ୍ଦା କରାଯାଇଥିବାରୁ ପ୍ରତିବାଦ କରି ସାହିତ୍ୟ ସମ୍ପାଦକଙ୍କୁ ଜଣାଇଥିଲେ । କଟକର ଶିକ୍ଷିତ ଓଡ଼ିଆମାନେ ମନେ କରିଥିଲେ କେହି ବଙ୍ଗାଳି ଓଡ଼ିଆଙ୍କୁ ବିଦ୍ରୂପ କରି ଏପରି ଲେଖିଅଛି । ଶ୍ରୀ ଗୋକୁଳାନନ୍ଦ ଚୌଧୁରୀ, ଶ୍ରୀ ମଦନମୋହନ ଦାସ ଓକିଲମାନେ ମାନହାନି ମକଦ୍ଦମା ଦାଏର କରିବା ଉଦ୍ଦେଶ୍ୟରେ ଉତ୍କଳସାହିତ୍ୟ ସମ୍ପାଦକଙ୍କଠାରୁ ଲେଖକଙ୍କ ନାମ ଜାଣିବାକୁ ଦାବୀ କରିଥିଲେ । ସମ୍ପାଦକ ସମ୍ପାଦକୀୟ ଶିଷ୍ଟତା ରକ୍ଷାକରି ଲେଖକଙ୍କ ନାମ ଜଣାଇଲେ ନାହିଁ । ତେଣୁ ସମ୍ପାଦକଙ୍କ ନାମରେ ମାନହାନି ମୋକଦ୍ଦମା କରିବାକୁ ସ୍ଥିର କଲେ । ପରେ ଜଣାପଡ଼ିଲା ଯେ, ଏ କବିତା ଲେଖକ ଜଣେ ଓଡ଼ିଆ ଏବଂ କବିତାଟି ସମାଜସଂସ୍କାର ଉଦ୍ଦେଶ୍ୟରେ ଲିଖିତ, ସେତେବେଳେ ସେମାନେ ସେ କାର୍ଯ୍ୟରୁ ବିରତ ହେଲେ । ଏହିଠାରୁ ନନ୍ଦକିଶୋରଙ୍କ ପ୍ରତି ଶିକ୍ଷିତ ସମାଜର ଦୃଷ୍ଟି ବିଶେଷ ଭାବରେ ପତିତ ହେଲା ।

 

୧୯୦୨ ମସିହାରେ ନନ୍ଦକିଶୋର ଭିକ୍‍‌ଟୋରିଆ ସ୍କୁଲରେ ଥାନ୍ତି । ସେତେବେଳେ ରାଧାନାଥଙ୍କ ଘରେ ସୁଢ଼ଳ ଦେବ ଅବସ୍ଥାନ କରୁଥିଲେ । ସେହିଠାରେ ତାଙ୍କର ସୁଢ଼ଳ ଦେବଙ୍କ ସଙ୍ଗରେ ସାକ୍ଷାତ ହୋଇଥିଲା । ସେହି ପ୍ରଥମ ସାକ୍ଷାତରେହିଁ ଉଭୟ ଉଭୟଙ୍କ ପ୍ରତି ଆକୃଷ୍ଟ ହୋଇପଡ଼ିଥିଲେ । କବିଙ୍କ ଲିଖିତ ବାମଣ୍ଡା ରାଜପ୍ରଶସ୍ତି କବିତାଟି ନନ୍ଦକିଶୋରଙ୍କର ଗୁଣଗ୍ରାହିତାର ନିଦର୍ଶନ ।

 

ସୁଢ଼ଳ ଦେବଙ୍କର ବାମଣ୍ଡାରେ ଗୋଟିଏ ରାଜସଭା ଥିଲା । ତାହା ପ୍ରାଚୀନକାଳର ବିକ୍ରମାଦିତ୍ୟଙ୍କ ରାଜସଭା ଅନୁକରଣରେ ଗଠିତ ହୋଇଥିଲା ଏବଂ ସେଥିରେ ପ୍ରାଚୀନ ଓ ଆଧୁନିକ ଉତ୍କଳ−ସାହିତ୍ୟର ଆଲୋଚନା ହେଉଥିଲା । ଅବଶ୍ୟ ସେତେବେଳେ ଓଡ଼ିଆ କବିଙ୍କ ସଂଖ୍ୟା ମୁଷ୍ଟିମେୟ ଥିଲା । କୌଣସି ଗ୍ରନ୍ଥ କେହି ଲେଖକ ଉପହାର ଦେଲେ ତାହା ସଭାରେ ଆଲୋଚନା ହେଉଥିଲା । ଥରେ ନନ୍ଦକିଶୋରଙ୍କର ‘କୃଷ୍ଣକୁମାରୀ’ କାବ୍ୟ ଉକ୍ତ ସଭାରେ ଆଲୋଚନା ହେଉଥିଲା । କାବ୍ୟର ପ୍ରଥମ ପଦ ହେଉଛି− “ଅଛି ଆର୍ଯ୍ୟାବର୍ତ୍ତେ ରାଜସ୍ଥାନ ନାମେ ଗିରିଟଙ୍କ ମରୁମୟ ଭୂଖଣ୍ଡ” କିନ୍ତୁ ତା’ର କେତେ ପଦ ପରେ ଅଛି– “ସୁଜଳା ସୁଫଳା କରି ଯେଉଁ ଭୂମି” ‘ଚିତ୍ତକୀୟା’ “ନଦୀ ନିରତେ” ବହେ” ପରି ବର୍ଣ୍ଣନା ଅସଙ୍ଗତ ବୋଲି ମତ ପ୍ରକାଶ କରାଯାଇ ରାଜସଭା ପକ୍ଷରୁ ନନ୍ଦକିଶୋରଙ୍କ ନିକଟକୁ ପତ୍ର ପଠାଗଲା । ପତ୍ରର ଉତ୍ତରରେ ନନ୍ଦକିଶୋର ଅନ୍ୟାନ୍ୟ କଥା ମଧ୍ୟରେ ଲେଖିଥିଲେ– “ଗଡ଼ଜାତ ଅରଣ୍ୟମୟ ପାର୍ବତ୍ୟ ଅଞ୍ଚଳ ହେଲେ କଣ ବୁଝିବାକୁ ହେବ ଯେ ଗଡ଼ଜାତରେ ସୁଢ଼ଳ ଦେବଙ୍କ ପରି ଜ୍ଞାନୀ ରାଜା ନାହାନ୍ତି, ରାଜସଭା ନାହିଁ ଏବଂ ରାଜସଭାରେ ଶାସ୍ତ୍ର ଆଲୋଚନା ହୁଏ ନାହିଁ ?” ଏତିକିରୁ ବୁଝିବାକୁ ହେବ ନନ୍ଦକିଶୋର କେଡ଼େ ସୂକ୍ଷ୍ଜଭାବରେ କଥାର ବିଚାର କରି ଯଥୋଚିତ ଉତ୍ତର ଦେଉଥିଲେ ।

 

ସେ ଭିକ୍ଟୋରିଆ ସ୍କୁଲରେ ତିନି ବର୍ଷ ଶିକ୍ଷକତା କରିବା ପରେ ୧୯୦୩ ମସିହାରେ କଟକ ଜିଲ୍ଲାବୋର୍ଡ ଅଧୀନରେ ସ୍କୁଲ ସବ୍‌ଇନ୍‌ସ୍ପେକ୍ଟର କାର୍ଯ୍ୟରେ ଯୋଗଦେଲେ । ପରିଦର୍ଶକ କର୍ମଚାରିରୂପେ ଏହି କାର୍ଯ୍ୟରେ ରହିବା ତାଙ୍କ ସ୍ୱାସ୍ଥ୍ୟର ଅନୁକୂଳ ହେଲା ନାହିଁ । ଚାରି ବର୍ଷ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କାର୍ଯ୍ୟରେ ଜିଲ୍ଲାର ନାନାସ୍ଥାନ ପରିଭ୍ରମଣ, ଖାଦ୍ୟପେୟର ଅନିୟମତା ପ୍ରଭୃତି କାରଣରୁ ସେ ହତୋତ୍ସାହ ହୋଇପଡ଼ିଲେ । ସାହିତ୍ୟସାଧନା ମଧ୍ୟ ବାଧାପ୍ରାପ୍ତ ହେବାକୁ ଲାଗିଲା । ସେତେବେଳେ କବି ମଧୁସୂଦନ ଓଡ଼ିଶା ଶିକ୍ଷାବିଭାଗର ଇନ୍‌ସ୍ପେକ୍ଟର ଥିଲେ । ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଆବେଦନ କରିବା ଫଳରେ ମଧୁସୂଦନଙ୍କ ସୁପାରିଶକ୍ରମେ ସେ ୧୯୦୭ ମସିହାରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକରୂପେ ନିଯୁକ୍ତ ହେଲେ । ଶ୍ରୀ ଚନ୍ଦ୍ରମୋହନ ମହାରଣା ସେତେବେଳେ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ । ସେ ଜଣେ ଉଚ୍ଚଧରଣର ସାହିତ୍ୟସେବୀ ଓ ଶିକ୍ଷକ ଥିବାରୁ ନନ୍ଦକିଶୋର ଏହି କାର୍ଯ୍ୟରେ ନିଜକୁ ଉତ୍ସାହିତ ମନେ କରିଥିଲେ । ଟ୍ରେନିଂ ସ୍କୁଲରେ କାର୍ଯ୍ୟ କରୁଥିବାବେଳେ ୧୯୧୦ ମସିହାରେ ସେ କଲିକତା ଡେଭିଡ୍ ହେୟାର ଟ୍ରେନିଂ କଲେଜକୁ ବି. ଟି. ପଢ଼ିବା ନିମନ୍ତେ ପ୍ରେରିତ ହେଲେ । ସେଠାରେ ଅଧ୍ୟୟନ କରୁଥିବାବେଳେ ସେ କେତେକ ଉତ୍କୃଷ୍ଟ କବିତା ରଚନା କରିଥିଲେ । ‘ସନ୍ଧ୍ୟାତାରା’ କବିତା ତାହା ମଧ୍ୟରୁ ଅନ୍ୟତମ । ପ୍ରାୟ ଏକ ବର୍ଷ ଅଧ୍ୟୟନ ପରେ ସେ ବି. ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଟ୍ରେନିଂ ସ୍କୁଲରେ ଆସି ପୁଣି ଯୋଗ ଦେଲେ ।

 

ଏହାପରେ ୧୯୧୧ ମସିହାରେ ନନ୍ଦକିଶୋର ସମ୍ବଲପୁର ଜିଲ୍ଲାସ୍କୁଲର ପ୍ରଧାନ ଶିକ୍ଷକପଦରେ ନିଯୁକ୍ତ ହୋଇ କଟକରୁ ସ୍ଥାନାନ୍ତରିତ ହେଲେ । ସମ୍ବଲପୁର ଅବସ୍ଥାନକାଳରେ ତତ୍କାଳୀନ “ସମ୍ବଲପୁର ହିତୈଷିଣୀ” ପତ୍ରିକାରେ ତାଙ୍କର ବହୁ ରଚନା ପ୍ରକାଶ ପାଇଥିଲା । ବ୍ୟାସକବି, ରାଧାନାଥ ପ୍ରଭୃତିଙ୍କ ରଚନା ମଧ୍ୟ ସେତେବେଳେ ହିତୈଷିଣୀ ପତ୍ରିକାରେ ପ୍ରକାଶିତ ହେଉଥିଲା । ବାମଣ୍ଡାର ତତ୍କାଳୀନ ରାଜା ସାର୍ ବାସୁଦେବ ସୁଢ଼ଳ ଦେବଙ୍କ ପୃଷ୍ଠପୋଷକତାରେ ଏହି ପତ୍ରିକା ପ୍ରକାଶ ପାଇ ଉତ୍କଳରେ ବିଶେଷ ଆଦରଲାଭ କରିଥିଲା । ଏହିଠାରେ କବି ଗଙ୍ଗାଧର ମେହେରଙ୍କ ସହ ନନ୍ଦକିଶୋରଙ୍କ ପରିଚୟ ଘଟିଥିଲା । ଗଙ୍ଗାଧରଙ୍କ କାବ୍ୟସମଷ୍ଟିକୁ ନନ୍ଦକିଶୋର ବିଶେଷ ଆଦର କରୁଥିଲେ ।

 

ଗଙ୍ଗାଧର ସେତେବେଳେ ‘ଇନ୍ଦୁମତୀ’, ‘କୀଚକବଧ’, ‘ଅହଲ୍ୟାସ୍ତବ’ ଲେଖିସାରି ଏକପ୍ରକାର ଲେଖା ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ପ୍ରେରଣାରେ ସେ ପୁନଶ୍ଚ ଲେଖନୀ ଧାରଣ କଲେ । ନନ୍ଦକିଶୋରଙ୍କ ଏହି ଅବସ୍ଥାନକାଳରେ ମେହେରଙ୍କ ସର୍ବଶ୍ରେଷ୍ଠ କାବ୍ୟ “ତପସ୍ୱିନୀ” ଲେଖା ହୋଇଥିଲା । ସେ ‘ପ୍ରଣୟବଲ୍ଲରୀ’ର ପ୍ରଥମ ସର୍ଗଟି ମାତ୍ର ଲେଖି ବନ୍ଦ କରିଦେଇଥିଲେ । ନନ୍ଦକିଶୋରଙ୍କ ବାରମ୍ବାର ପ୍ରବର୍ତ୍ତନାରେ ହିଁ ‘ପ୍ରଣୟବଲ୍ଲରୀ’ ସମ୍ପୂର୍ଣ୍ଣ କରି ପ୍ରକାଶ କଲେ । ସେହି ସମୟରେ ପୂର୍ବ ଲିଖିତ ମେହେରଙ୍କର ଖଣ୍ଡକବିତାସବୁ “କବିତାକଲ୍ଲୋଳ” ଆକାରରେ ପ୍ରକାଶିତ ହୋଇଥିଲା । ନନ୍ଦକିଶୋର ଉକ୍ତ ପୁସ୍ତକର ଭୂମିକା ଲେଖି ଦେଇଥିଲେ ଓ ସେଠାର ବିଶିଷ୍ଟ ବ୍ୟବହାରଜୀବୀ ଓ ତାଙ୍କର ବନ୍ଧୁ ଶ୍ରୀ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ପ୍ରବର୍ତ୍ତାଇ ଏ ପୁସ୍ତକ ପ୍ରକାଶ କରାଇଥିଲେ ।

 

ନନ୍ଦକିଶୋର ଏହିଠାରେ ଥିଲାବେଳେ ବିଖ୍ୟାତ ବଙ୍ଗୀୟ ନାରୀକବି କାମିନୀ ରାୟ (ପରେ ସେନ୍)ଙ୍କ ଘନିଷ୍ଠ ସମ୍ପର୍କରେ ଆସିଥିଲେ । କାମିନୀ ସେନ୍ ବର୍ତ୍ତମାନ ନିର୍ବାଚନ କମିଶନର ସୁକୁମାର ସେନ୍‍ଙ୍କ ମାତା । କବି ସେହିଠାରେ ମଧ୍ୟ ବଙ୍ଗର ଭାଷାତତ୍ତ୍ୱବିତ୍ ସ୍ୱର୍ଗୀୟ ବିଜୟଚନ୍ଦ୍ର ମଜୁମଦାର ଓ ସାହିତ୍ୟରସିକ ସୋନପୁରର ମହାରାଜା ସ୍ୱର୍ଗୀୟବୀରମିତ୍ରୋଦୟ ସିଂହଦେବଙ୍କ ସମ୍ପର୍କରେ ଆସିଥିଲେ । ବୀରମିତ୍ରୋଦୟ କବିଙ୍କ ବ୍ୟବହାର ଓ ସୁନାମରେ ମୁଗ୍‍ଧ ହୋଇ ବିଜୟଚନ୍ଦ୍ରଙ୍କ ମାର୍ଫତରେ ନନ୍ଦକିଶୋରଙ୍କୁ ତିନି ଶତ ଟଙ୍କା ବେତନରେ ତାଙ୍କ ନିଜ ଷ୍ଟେଟ୍‌ର ଦେଓ୍ୟାନ କରିନେବାର ସୂଚନା ଦେଇଥିଲେ । କିନ୍ତୁ ନନ୍ଦକିଶୋର ସେତେବେଳେ ମାତ୍ର ମାସିକ ପଞ୍ଚସ୍ତରୀ ଟଙ୍କା ବେତନ ପାଉଥିଲେ ମଧ୍ୟ ଏଥିରେ ସେ ଅସମ୍ମତି ପ୍ରକାଶ କରିଥିଲେ । ଏହିଠାରେ ଅବସ୍ଥାନ ମଧ୍ୟରେ ତାଙ୍କର “ସମ୍ବଲପୁର”, “ସ୍ୱର୍ଗତ ରାମଚନ୍ଦ୍ର ଭଞ୍ଜ”, “ସୃର୍ଯ୍ୟମୁଖୀ ଫୁଲ”, “ବାଟୋଇ”, “ବର୍ଷା”, ପ୍ରଭୃତି କବିତାଗୁଡ଼ିକ ଲିଖିତ ହୋଇଥିଲା ।

 

ସମ୍ବଲପୁରରେ ଏକ ବର୍ଷ ନ ପୁରୁଣୁ ସେ ସେଠାରୁ ପୁଣି କଟକ ଟ୍ରେନିଂ ସ୍କୁଲକୁ ପରିବର୍ତ୍ତିତ ହେଲେ । ଟ୍ରେନିଂ ସ୍କୁଲରେ ମାତ୍ର ଦୁଇ ମାସ ରହିବା ପରେ ୧୯୧୨ ମସିହାରେ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ଏକ ବର୍ଷ ସେହି କାର୍ଯ୍ୟରେ ରହିବା ପରେ ବାଲେଶ୍ୱର ଜିଲ୍ଲା ସ୍କୁଲସମୂହର ଡେପୁଟି ଇନ୍‌ସ୍ପେକ୍ଟର କାର୍ଯ୍ୟରେ ନିଯୁକ୍ତ ହେଲେ । ଏହି କାର୍ଯ୍ୟରେ ୧୯୧୫ ମସିହା ଫେବୃୟାରୀ ପର୍ଯ୍ୟନ୍ତ ରହିଲେ । ବାଲେଶ୍ୱର ଅବସ୍ଥାନ କାଳରେ ବ୍ୟାସକବି ଫକୀରମୋହନଙ୍କ ସହ ତାଙ୍କର ଘନିଷ୍ଠ ଆତ୍ମୀୟତା ଜନ୍ମିଥିଲା । ଫକୀରମୋହନଙ୍କ ଗୃହରେ ପ୍ରତ୍ୟହ ସନ୍ଧ୍ୟାକାଳରେ ଉଭୟେ ବସି ଓଡ଼ିଆ ସାହିତ୍ୟ ସମ୍ପର୍କରେ ନାନା ଆଲୋଚନା କରୁଥିଲେ । ବିପତ୍ନୀକ ଫକୀରମୋହନ ସେତେବେଳେ ତାଙ୍କର ପ୍ରଶସ୍ତ ବାସଭବନରେ ଏକାକୀ ବାସ କରୁଥିଲେ । ବ୍ୟାସକବିଙ୍କର ପୁତ୍ର ଅଧ୍ୟାପକ ମୋହିନୀମୋହନ ନନ୍ଦକିଶୋରଙ୍କ ସମସାମୟିକ ଓ ଅନ୍ତରଙ୍ଗ ବନ୍ଧୁଥିଲେ । ତେଣୁ ଫକୀରମୋହନ କବିଙ୍କୁ ପୁତ୍ରବତ୍ ସ୍ନେହ କରୁଥିଲେ । ସେ ମହା ଆଦରରେ କବିଙ୍କୁ ନେଇ ତାଙ୍କର ବାସଭବନର ଏକାଂଶରେ ରଖାଇଥିଲେ । ବେନି କବିଙ୍କର ଏହି ମିଳନଦ୍ୱାରା ଉତ୍କଳ ସାରସ୍ୱତ ଭଣ୍ଡାରର ସମୃଦ୍ଧିଲାଭ ହୋଇଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ଫକୀର ମୋହନ ତାଙ୍କ ଆତ୍ମଜୀବନୀରେ ଏହି ସାନ୍ଧ୍ୟମିଳନର କିଞ୍ଚିତ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନନ୍ଦକିଶୋର ତାଙ୍କର ଜଣେ ବନ୍ଧୁଙ୍କର ମାମୁଁ ତାଙ୍କ ଭଣଜା ପ୍ରତି ଯେଉଁ ଅତ୍ୟାଚାର କରିଥିଲେ ସେହି କାହାଣୀଟି ବ୍ୟାସକବିଙ୍କ ଆଗରେ ଥରେ ବର୍ଣ୍ଣନା କରିଥିଲେ । ବର୍ଣ୍ଣନାଟି ଶୁଣି ବ୍ୟାସକବି ଏପରି ମର୍ମାହତ ହୋଇଗଲେ ଯେ ସେହି କଥାକୁ ଅବଲମ୍ବନକରି ତାଙ୍କର ପ୍ରସିଦ୍ଧ ‘ମାମୁ’ ଉପନ୍ୟାସ ରଚନା ଆରମ୍ଭ କଲେ (୧୯୧୪) । ପରନ୍ତୁ ଅପର ପକ୍ଷରେ କବି ନନ୍ଦକିଶୋର ଚାନ୍ଦବାଲି ଅଞ୍ଚଳ ଗସ୍ତରୁ ଫେରି ଗସ୍ତ ବେଳେ ମଫସଲରେ ଲେଖିଥିବା ଆଖଣ୍ଡଳମଣି ଦର୍ଶନ ଗଳ୍ପ ବ୍ୟାସକବିଙ୍କୁ ଶୁଣାଇଥିଲେ । ବ୍ୟାସକବି ଉକ୍ତ ଗଳ୍ପକୁ ସେପରି ଭାବରେ ପ୍ରକାଶ ନକରି ତାକୁ ପରିବର୍ଦ୍ଧିତ କରି ଗୋଟିଏ ଉପନ୍ୟାସ ଆକାରରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଲେ । ତାହାହିଁ କବିଙ୍କ ପ୍ରସିଦ୍ଧ “କନକଲତା” ଉପନ୍ୟାସ । ତାହା ୧୯୧୪ ମସିହାରେ ପ୍ରଥମେ ଲିଖିତ ହୋଇଥିଲା ।

 

କବିଙ୍କ ଲିଖିତ ‘ଲକ୍ଷ୍ମୀ’ ଗଳ୍ପଟି ଗୋଟିଏ ବାସ୍ତବ ଘଟଣା ଅବଲମ୍ବନରେ ଲିଖିତ । ଗସ୍ତରେ ଥିଲାବେଳେ କବି ଏହିପ୍ରକାର ଘଟଣା ଶୁଣି ଆସି ବ୍ୟାସକବିଙ୍କ ଆଗରେ ପ୍ରକାଶ କରିଥିଲେ । ଏହିକଥା ଶୁଣି ବ୍ୟାସକବି “ମାଧ ମାହାନ୍ତିଙ୍କ କନ୍ୟାସୁନା” ଗଳ୍ପ ଲେଖିଲେ ଏବଂ କବି “ଲକ୍ଷ୍ମୀ” ଗଳ୍ପ ଲେଖିଲେ । ବହୁ ପୂର୍ବରୁ ଅପୂର୍ଣ୍ଣ ରଖିଥିବା “ଅପୂର୍ବ ମିଳନ” ଗଳ୍ପଟିକୁ ଫକୀରମୋହନ ନନ୍ଦକିଶୋରଙ୍କ ପ୍ରରୋଚନରେ ସମ୍ପୂର୍ଣ୍ଣ କରି ‘ଲଛମା’ ଉପନ୍ୟାସ ନାମରେ ପ୍ରକାଶ କଲେ ।

 

୧୯୧୫ ମସିହାରେ କବି କଟକ ଆସିଥିଲେ । ଡେପୁଟି ଇନ୍‌ସ୍ପେକ୍ଟର ଭାବରେ ଚାରି ମାସ ରହିବା ପରେ ଓଡ଼ିଶା ଶିକ୍ଷା ବିଭାଗର ଆସିଷ୍ଟାଣ୍ଟ ଇନ୍‌ସ୍‌ସ୍ପେକ୍ଟର ପଦକୁ ଉନ୍ନୀତ ହେଲେ । କଟକରେ ତାଙ୍କର ଅଫିସ ଅବସ୍ଥିତ ଥିବାରୁ ସେ ପ୍ରାୟ ପାଞ୍ଚ ବର୍ଷକାଳ ଏକାଦିକ୍ରମେ କଟକରେ ଅବସ୍ଥାନ କରିଥିଲେ ।

 

ପରିଦର୍ଶକ କର୍ମଚାରୀ ଭାବରେ ଶିକ୍ଷକମାନଙ୍କ କାର୍ଯ୍ୟ ପରିଦର୍ଶନ କରିବା ତାଙ୍କର ପ୍ରଧାନ କାର୍ଯ୍ୟ ଥିଲା । ଅସାଧାରଣ ପାଣ୍ଡିତ୍ୟ ଓ ଜ୍ଞାନର ଅଧିକାରୀ ଥିବାରୁ ସେ ବିଦ୍ୟାଳୟ ପରିଦର୍ଶନ ସମୟରେ ଶିକ୍ଷକମାନଙ୍କୁ ଆଦର୍ଶ ଶିକ୍ଷାପଦ୍ଧତି ବିଷୟରେ ଉପଦେଶ ଦେଉଥିଲେ । ଏ କାର୍ଯ୍ୟ ପାଇଁ ବିଭାଗର ଉଚ୍ଚ କର୍ତ୍ତା ତଥା ଅଧସ୍ତନ ଶିକ୍ଷକମାନେ ସମସ୍ତେ ତାଙ୍କର ପ୍ରଶଂସା କରୁଥିଲେ।

 

ନନ୍ଦକିଶୋରଙ୍କ ରଚିତ ‘ନାନାବାୟା ଗୀତ’ ଏହି କଟକ ଅବସ୍ଥାନ ସମୟରେ ଲିଖିତ । ଦିନେ ଏହି ସନ୍ଦର୍ଭର ଲେଖକଙ୍କ ସହିତ ଆଲୋଚନା ହେଲାବେଳେ ଶିଶୁଙ୍କ ମନୋରଞ୍ଜନ ନିମିତ୍ତ ଖଣ୍ଡିଏ ଶିଶୁସଙ୍ଗୀତ ରଚନାର ସଂକଳ୍ପ କଲେ । କିନ୍ତୁ ତାଙ୍କର ଅଧ୍ୟବସାୟ ଏତେ ଦୃଢ଼ ଯେ, ସେ ସେହିକ୍ଷଣି କାଗଜ କଲମ ଧରି ଲେଖିବାକୁ ବସିଗଲେ । ଗାଧୁଆ ନାହିଁ, ଖାଇବା ନାହିଁ, ପିଇବା ନାହିଁ ଦିନ ୧୦ଟାରୁ ୩ଟା ଯାଏ ବସି ସେ ଚାରି ପାଞ୍ଚଘଣ୍ଟା ଭିତରେ ନାନାବାୟା ଗୀତ ପୁସ୍ତକଟି ଶେଷକଲେ । ମାତ୍ର ୪।୫ ଘଣ୍ଟା ଭିତରେ ଏହା ଲେଖା ହୋଇଥିଲେ ସୁଦ୍ଧା ଅନେକଗୁଡ଼ିଏ କବିତା ଅତି ଉଚ୍ଚକୋଟୀର ଏବଂ ତନ୍ମଧ୍ୟରୁ କେତେକ କଲିକତା ବିଶ୍ୱବିଦ୍ୟାଳୟର ପ୍ରକାଶିତ ପାଠ୍ୟପୁସ୍ତକ (୰ବିଜୟଚନ୍ଦ୍ର ମଜୁମଦାରଙ୍କ ସମ୍ପାଦିତ) ଓଡ଼ିଆ “ସାହିତ୍ୟସଂଗ୍ରହ”ରେ ବିଶିଷ୍ଟ ସ୍ଥାନ ପାଇଅଛି । ଆଉମଧ୍ୟ ଭୂମିକାରେ ସେ କବିଙ୍କୁ ଉଚ୍ଚ ପ୍ରଶଂସା କରି ଲେଖିଅଛନ୍ତି ।

 

ଏହି ସମୟରେ ସାହିତ୍ୟିକଭାବରେ ପ୍ରଥମେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ ତାଙ୍କର ପରିଚୟ ଓ ବନ୍ଧୁତା ହୋଇଥିଲା । ନନ୍ଦକିଶୋର ସେତେବେଳେ ଓଡ଼ିଶା ଶିକ୍ଷାବିଭାଗର ଆସିଣ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ଥିବାବେଳେ ଗୋପବନ୍ଧୁ ବିହାର ଓଡ଼ିଶା କାଉନ୍‌ସିଲର ଜଣେ ନବୀନ ଉତ୍ସାହିତ ଓ ବିଶିଷ୍ଟ ସଭ୍ୟ ଥିଲେ । ଶିକ୍ଷାବିଷୟକ ପରାମର୍ଶ ଗ୍ରହଣ ଓ ଆଲୋଚନା ସମ୍ପର୍କରେ ସେ ଅନେକ ସମୟରେ ନନ୍ଦକିଶୋରଙ୍କ ଡଗରପଡ଼ା ବାସଭବନକୁ ଆସୁଥିଲେ ।

 

ସେତେବେଳେ ପ୍ରଥମ ବିଶ୍ୱଯୁଦ୍ଧ ଚାଲିଥାଏ । ଶିକ୍ଷାବିଭାଗର ତତ୍କାଳୀନ ଇନ୍‌ସ୍ପେକ୍ଟର ଡବ୍‍ଲିଉ. ଭି. ଡିଉକ୍ ଯୁଦ୍ଧରେ ଯୋଗ ଦେବାକୁ ଚାଲିଯିବାରୁ ନନ୍ଦକିଶୋର ଅସ୍ଥାୟୀରୂପେ ତାଙ୍କ ସ୍ଥାନରେ ନିଯୁକ୍ତ ହେଲେ । ଓଡ଼ିଶାର ସକଳ ଶ୍ରେଣୀର ବିଦ୍ୟାଳୟ ପରିଦର୍ଶନ ଭାର ତାଙ୍କ ଉପରେ ନ୍ୟସ୍ତ ଥିଲେ । ସେ ସମୟରେ ଡବ୍‍ଲିଉ. ଡବ୍‍ଲିଉ. ହେଣ୍ଡରସନ୍ ରେଭେନ୍‌ସା କଲେଜିଏଟ୍ ସ୍କୁଲର ହେଡ଼ମାଷ୍ଟର ଥିଲେ । ସେ ଜଣେ ୟୁରୋପୀୟ ଏବଂ ଗ୍ଲାସ୍‌ଗୋ ବିଦ୍ୟାଳୟରୁ ଏମ୍. ଏ. ଡିଗ୍ରୀ ଲାଭ କରିଥିଲେ । ନନ୍ଦକିଶୋର ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତ ହେବାଦ୍ୱାରା ତାଙ୍କଠାରୁ ଉଚ୍ଚ ପଦରେ ଅବସ୍ଥାପିତ ହେଲେ । ତେଣୁ ସେ ନନ୍ଦକିଶୋରଙ୍କ ଇନ୍‌ସ୍ପେକ୍ଟର ପଦରେ ନିଯୁକ୍ତି ବିରୁଦ୍ଧରେ ବିହାର ଓଡ଼ିଶା ସରକାରଙ୍କଠାରେ ଆପତ୍ତି କଲେ । ଫଳରେ ନନ୍ଦକିଶୋରଙ୍କୁ ତାଙ୍କ ପୂର୍ବ କାର୍ଯ୍ୟକୁ ଫେରିବାକୁ ପଡ଼ିଲା ।

 

ତତ୍‍ପରେ ଆସିଷ୍ଟାଣ୍ଟ୍ ଇନ୍‌ସ୍ପେକ୍ଟର ପଦ ଉଠିଯିବାରୁ ନନ୍ଦକିଶୋର ୧୯୨୦ ମସିହାରେ ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ପଦରେ ପୁରୀରେ ଅବସ୍ଥାପିତ ହେଲେ । ପୁରୀରେ ଅବସ୍ଥାନକାଳରେ ସେ ପୁଣି ଉତ୍କଳମଣି ଗୋପବନ୍ଧୁଙ୍କ ନିକଟସମ୍ପର୍କରେ ଆସିଥିଲେ । କବି ନନ୍ଦକିଶୋର ଗୋପବନ୍ଧୁଙ୍କର ତତ୍କାଳୀନ ରଚନାଗୁଡ଼ିକ ଅତି ଆଗ୍ରହସହକାରେ ପାଠ କରୁଥିଲେ । ନନ୍ଦକିଶୋର ଆଜୀବନ ଜଣେ ସ୍ୱାଧୀନଚେତା ରାଜକର୍ମଚାରୀ ଥିଲେ ଏବଂ ସେଥିଯୋଗୁ ନିଷ୍ଠାପର ଦେଶକର୍ମୀ ଗୋପବନ୍ଧୁ ଓ ତାଙ୍କ ମଧ୍ୟରେ ପ୍ରଗାଢ଼ ବନ୍ଧୁତା ଜାତ ହୋଇଥିଲା । ସେତେବେଳେ ଗୋପବନ୍ଧୁ ସତ୍ୟବାଦୀ ବନବିଦ୍ୟାଳୟ ସ୍ଥାପନ କରି ଶିକ୍ଷାଦାନ ସମ୍ବନ୍ଧରେ ଏକ ବିରାଟ ପରୀକ୍ଷା ଚଳାଉଥାନ୍ତି । ସ୍କୁଲମାନଙ୍କରୁ କେବଳ ସରକାରୀ ଚାକିରିଆ ନ ବାହାରି କିପରି ଉପଯୁକ୍ତ ଦେଶସେବକ ବାହାରିବେ, ଏହା ତାଙ୍କ ଲକ୍ଷ୍ୟଥିଲା । ତେଣୁ ଶିକ୍ଷାର ବିଷୟ, ପ୍ରକୃତି ଓ ପ୍ରଣାଳୀ ପ୍ରଭୃତି ବିଷୟରେ ଏବଂ ଓଡ଼ିଶାର ସୀମା ସମାସ୍ୟା ତଥା ଦେଶମିଶ୍ରଣ ଘେନି ଉଭୟଙ୍କ ଭିତରେ ଅନେକ ସମୟରେ ଆଲୋଚନା ହେଉଥିଲା । ଏ ପ୍ରସଙ୍ଗରେ ଏଠାରେ ଉଲ୍ଲେଖ କରାଯାଇପାରେ ଯେ ନନ୍ଦକିଶୋର ପୂର୍ବ ଜୀବନରେ ଉତ୍କଳ ସମ୍ମିଳନୀର ଜଣେ ବିଶିଷ୍ଟ ଉତ୍ସାହୀ ସଭ୍ୟ ଥିଲେ । ୧୯୦୩ ମସିହା ଅପ୍ରେଲ ମାସରେ ଖଲିକୋଟର ପୁଣ୍ୟଶ୍ଳୋକ ରାଜା ସ୍ୱର୍ଗାୟ ହରିହର ମର୍ଘରାଜଦେବ ଏବଂ ପ୍ରସିଦ୍ଧ ସମ୍ପାଦକ ୰ନୀଳମଣି ବିଦ୍ୟାରତ୍ନଙ୍କ ଯତ୍ନରେ ଯେତେବେଳେ ସର୍ବପ୍ରଥମେ ଗଞ୍ଜାମ ସମ୍ମିଳନୀ ଅନୁଷ୍ଠିତ ହେଲା (ଯାହା ଉତ୍କଳ ସମ୍ମିଳନୀର ଜନ୍ମଦାତ୍ରୀ) ସେଠାକୁ ଅନ୍ୟାନ୍ୟମାନଙ୍କ ମଧ୍ୟରେ ନନ୍ଦକିଶୋର, ଶଶିଭୂଷଣ ରାୟ ଏବଂ ଗୋପବନ୍ଧୁ ଦାସ (ଛାତ୍ର) ଯୋଗ ଦେଇଥିଲେ । *ନନ୍ଦକିଶୋର ବ୍ରହ୍ମପୁରଠାରେ ଅନୁରୁଦ୍ଧ ହୋଇ ସମ୍ମିଳନୀ ସକାଶେ ଗୋଟିଏ ଗୀତ ରଚନା କଲେ ଏବଂ ତାହା କଟକର ସଙ୍ଗୀତବିଶାରଦ ୰ଖାନ ମହମ୍ମଦଙ୍କଦ୍ୱାରା ହାରମୋନିୟମ ସଂଯୋଗରେ ଗାନ ହୋଇଥିଲା । ତାହାର ପ୍ରଥମ ପଙ୍‌କ୍ତି “ଉଠ ଗୋ ଦୁଃଖିନୀ ଉତ୍କଳ ଜନନୀ ପାହିଛି ବିଷାଦ ଯାମିନୀ ତବ ।” ସେତେବେଳକୁ କଟକ ଟାଉନ୍ ସ୍କୁଲଟି କଟକ ଟାଉନ ଭିକ୍ଟୋରିୟା ହାଇସ୍କୁଲରେ ପରିଣତ ହୋଇଗଲାଣି ଏବଂ ସେ କହିଁର ଦ୍ୱିତୀୟ ଶିକ୍ଷକ । ଏହି ସଂପର୍କରେ ଉତ୍କଳ ଗୌରବ ମଧୁସୂଦନଙ୍କ ସହିତ ଘନିଷ୍ଠ ଭାବରେ ପରିଚିତ ହୋଇ ଆଜୀବନ ତାଙ୍କର ସ୍ନେହ ଓ ସହାନୁଭୂତି ଲାଭକରିଥିଲେ । ସେହି ସମୟରେ ନନ୍ଦକିଶୋର ଜାତୀୟ ଭାବରେ ଉଦ୍‌ବୁଦ୍ଧ ହୋଇ ଅନେକଗୁଡ଼ିଏ ଜାତୀୟ ସଙ୍ଗୀତ ରଚନା କରିଥିଲେ । ସେଗୁଡ଼ିକ ତାଙ୍କର “ଜନ୍ମଭୂମି” ୨ୟ ଭାଗରେ ସନ୍ନିବେଶିତ କରାଯାଇଛି । ଜନ୍ମଭୂମି ପ୍ରଥମ ଭାଗରେ ସପ୍ତମ ଏଡ଼ଓ୍ୟାର୍ଡ଼ଙ୍କୁ ଦୁଃଖିନୀ ଉତ୍କଳମାତାର ଗୁହାରୀ ଶିରୋନାମାରେ ଲିଖିତ ଲେଖାଗୁଡ଼ିକ ଉତ୍କଳର ଜାତୀୟସଂପଦରୂପେ ଚିରଦିନ ସ୍ୱର୍ଣ୍ଣାକ୍ଷରରେ ବିରାଜିତ ହୋଇ ରହିଥିବ । ଗାନ୍ଧିଜୀ ତାଙ୍କର ବିଶ୍ୱବିଶ୍ରୁତ ସତ୍ୟାଗ୍ରହ ମଧ୍ୟରେ ଲବଣ ଆଇନ ଭଙ୍ଗକୁ ପ୍ରଥମସ୍ଥାନ ଦେଇଥିଲେ । କବି ତାହାର ୩୦ ବର୍ଷ ପୂର୍ବରୁ ଉକ୍ତ ଲେଖାରେ ଅତି ମର୍ମସ୍ପଶୀ ଭାଷାରେ ଲବଣ ଆଇନଦ୍ୱାରା ଦୁଃଖିନୀ ଉତ୍କଳ ସନ୍ତାନର ଦୁରବସ୍ଥା ଓ ତାହାର ପ୍ରତିକାର ବିଷୟରେ ଅତି ସ୍ପଷ୍ଟଭାବରେ ସୂଚନା ଦେଇଥିଲେ । ଜଣେ ସରକାରୀ ଚାକିରିଆ ଭାବରେ ଏପରି ଲେଖା ଅତୁଳନୀୟ । ଆଜି ଯୋଜନା କମିଶନଙ୍କର ଯୋଜନାରେ ମରୁଡ଼ି ଓ ଧୋଇର ପ୍ରତିକାର ବିଷୟରେ ଯେଉଁ ସ୍ଥାନ ଅଛି, ତାହା କବି ଅତି ଦୂରଦୃଷ୍ଟିସହକାରେ ଏହି ଲେଖାରେ ସେସବୁ ଉଲ୍ଲେଖ କରିଯାଇଛନ୍ତି । ତାଙ୍କର ଦୂରଦୃଷ୍ଟିର ଜ୍ୱଳନ୍ତ ଦୃଷ୍ଟାନ୍ତ ଭାରତର ଭବିଷ୍ୟତ୍ ଭାଷା ଶୀର୍ଷକ ଲେଖାରେ ମଧ୍ୟ ଦେଇଛନ୍ତି । ଏହା ୧୯୦୦ ମସିହାରେ ଲିଖିତ ।

*ଉତ୍କଳ ସମ୍ମିଳନୀ ଗ୍ରୁପ ଫଟୋ ଦ୍ରଷ୍ଟବ୍ୟ ।

 

ଗଣକବି ବୈଷ୍ଣବ ପାଣିଙ୍କ ସହିତ କବି ଘନିଷ୍ଠ ସଂପର୍କରେ ଆସିଥିଲେ । ତାଙ୍କର ମାର୍ଜିତ ଗୀତିନାଟ୍ୟକୁ କବି ଖୁବ୍ ଉଚ୍ଛସ୍ଥାନ ଦେଉଥିଲେ । ଥରେ କବିଙ୍କ ଚଉପାଢ଼ୀରେ ପାଣିଙ୍କର “ନଳଦମୟନ୍ତୀ” ଗୀତିନାଟ୍ୟ ଅଭିନୀତ ହେଉଥାଏ, ଗାଁ ଓ ଆଖପାଖର ଅନେକ ବିଶିଷ୍ଟ ଲୋକଙ୍କ ସହ ନନ୍ଦକିଶୋର ଯାତ୍ରା ଦେଖୁଥାନ୍ତି । ଦମୟନ୍ତୀ ଭୂମିକାରେ ଅଭିନୟ କରୁଥିବା ବାଳକଟି–ନଳ ଅର୍ଦ୍ଧବସ୍ତ୍ର ଛିନ୍ନ କରି ଚାଲିଯାଇଥିବା ଅବସ୍ଥାକୁ ଲକ୍ଷ୍ୟକରି ଗୋଟିଏ କରୁଣ ସଙ୍ଗୀତ ଗାନ କରୁଥିଲେ । ଉକ୍ତ କରୁଣ ସଙ୍ଗୀତଟି ଶୁଣି ଜଣେ ବନ୍ଧୁ ମନ୍ତବ୍ୟ ପ୍ରକାଶ କଲେ–ଏହା ଆମ ଯୁବକବି ରାଧାନାଥ ଓ ମଧୁସୂଦନଙ୍କ ଲେଖାର ସମକକ୍ଷ । ନନ୍ଦକିଶୋର ହଠାତ୍ ପ୍ରକାଶ କଲେ ରାଧାନାଥ ମଧୁସୂଦନଙ୍କ କଥା କଣ କହୁଛ, ଏହା ବ୍ୟାସ ବାଲ୍ମୀକିଙ୍କ ରଚନାର ଯୋଗ୍ୟ । ଅବଶ୍ୟ ଏହାର ମୌଳିକ ଭାବ ବ୍ୟାସ ବାଲ୍ମୀକିଙ୍କ ରଚନାରୁ ଗୃହୀତ ତଥାପି ପ୍ରକାଶ ଭଙ୍ଗୀ କବିଙ୍କର ନିଜସ୍ୱ ।

 

ନନ୍ଦକିଶୋର ଯେତେବେଳେ ବିହାର−ଓଡ଼ିଶା ସରକାରଙ୍କର Confidential reporter of Oriya publications ଥିଲେ, ସେତେବେଳେ ପାଣିଙ୍କ ଗୀତିନାଟ୍ୟ ତାଙ୍କ ସମୀକ୍ଷଣ ପାଇଁ ଆସିଥିଲା । ପାଣି ଓଡ଼ିଆ ଯାତ୍ରାର ଆମୂଳ ସଂସ୍କାର ଆଣିଥିବାରୁ ତାଙ୍କୁ ‘ରାୟ ସାହେବ’ ପଦବୀ ଦେବାକୁ ସରକାରଙ୍କୁ ସୁପାରିସ୍ କରିଥିଲେ; କିନ୍ତୁ ତତ୍‌କାଳୀନ ପୁଲିସ ସାହେବ ରିପୋର୍ଟରେ (ପାଣି ରାଜଦ୍ରୋହୀ ଅର୍ଥାତ୍ ସେ ବ୍ରିଟିଶ୍ ସରକାର ବିରୁଦ୍ଧରେ ସଙ୍ଗୀତ ଲେଖିଥିବା ଯୋଗୁଁ) ବିରୋଧ କରିବାରୁ ସରକାର ନନ୍ଦକିଶୋରଙ୍କ ପ୍ରସ୍ତାବ ଗ୍ରହଣ କରିନଥିଲେ ।

 

ନନ୍ଦକିଶୋର ପୁରୀ ଜିଲ୍ଲା ସ୍କୁଲସମୂହର ଇନ୍‌ସ୍ପେକ୍ଟର ଥିବା ସମୟରେ ତତ୍‌କାଳୀନ ବିହାର−ଓଡ଼ିଶା ଗଭର୍ଣ୍ଣର ସତ୍ୟେନ୍ଦ୍ରପ୍ରସନ୍ନ ସିଂହ (ଲର୍ଡ଼ ସିହ୍ନା) ୧୯୨୨ ମସିହା ଅପ୍ରେଲ ମାସରେ ଓଡ଼ିଶା ଗସ୍ତରେ ଆସି ପୁରୀରେ ରହିଥିଲେ । ସେତେବେଳେ ସେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ଦୈନିକ ଚାରି ପାଞ୍ଚ ଜଣଙ୍କ ସହ ସାକ୍ଷାତ୍ କରୁଥାନ୍ତି ଏବଂ ସେଥିପାଇଁ ମୋଟେ ଦଶ ମିନିଟ ସମୟ ଧାର୍ଯ୍ୟ ଥାଏ । ଦିନେ କେତେ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ମଧ୍ୟରୁ ତତ୍କାଳୀନ ଜଗନ୍ନାଥ ମନ୍ଦିର ମ୍ୟାନେଜର ଅବସରପ୍ରାପ୍ତ ଡେପୁଟି ମାଜିଷ୍ଟ୍ରେଟ୍ ବାଳମୁକୁନ୍ଦ କାନୁନ୍‌ଗୋ ଓ ନନ୍ଦକିଶୋରଙ୍କୁ ଲର୍ଡ଼ ସିହ୍ନା ସାକ୍ଷାତ ପାଇଁ ଡାକିଥିଲେ । ନନ୍ଦକିଶୋରଙ୍କୁ ପ୍ରଥମେ ଡାକରା ହେଲା । ତାଙ୍କ ସହ ଓଡ଼ିଶାରେ ନୂତନ ଶିକ୍ଷା ପ୍ରବର୍ତ୍ତନଦ୍ୱାରା ସାଧାରଣଙ୍କର ସେଥିପତି ମମତା ଓ ପ୍ରତିକାର ଇତ୍ୟାଦି ବିଷୟରେ ଆଲୋଚନା ହେଉ ହେଉ ଦଶ ମିନିଟ୍ ସ୍ଥାନରେ ପଚାଶ ମିନିଟ ଅତିବାହିତ ହେଲା । ଆଲୋଚନାରେ ନନ୍ଦକିଶୋର ଗଭର୍ଣ୍ଣରଙ୍କୁ ଜଣାଇଲେ ଯେ, ଓଡ଼ିଶାର ପ୍ରାଚୀନ ଶିକ୍ଷାଦାନ ପଦ୍ଧତିକୁ ପୂରାପୂରି ଉଠାଇ ଦେଇ ନୂତନ ଧାରାପ୍ରବର୍ତ୍ତନଦ୍ୱାରା ଲୋକମାନେ ତାହାକୁ ଆଦର କରିପାରୁନାହାନ୍ତି । ପୂରାତନ କବିମାନଙ୍କର ଲେଖା ନୂତନ ଶିକ୍ଷାରେ ସଂଯୋଗ କରି ଶିକ୍ଷାଦାନ ବ୍ୟବସ୍ଥା କରାଗଲେ ଏବଂ ତତ୍‌ସହ ଶିଶୁଶିକ୍ଷା ପାଇଁ କିଣ୍ଡରଗାର୍ଟନ ପଦ୍ଧତି ଯୋଗ କରାଗଲେ ତାହା ଲୋକଙ୍କ ଆଗ୍ରହ ଓ ସମର୍ଥନ ଲାଭ କରିବ । ନନ୍ଦକିଶୋରଙ୍କ ଏହି ପରାମର୍ଶକୁ ଲର୍ଡ଼ସିହ୍ନା ଗ୍ରହଣ କରି ଶିକ୍ଷା ବିଭାଗକୁ ଏଥିପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହି ସମୟରୁ ପ୍ରାଚୀନ କବିଙ୍କର ଲେଖା ଓ ଜୀବନୀ ଇତ୍ୟାଦି ଓଡ଼ିଶାର ଶିକ୍ଷାଦାନପଦ୍ଧତିରେ ସ୍ଥାନଲାଭ କରିଛି ।

 

ପୁରୀ ଜିଲ୍ଲାର ସ୍କୁଲ ଇନ୍‌ସ୍ପେକ୍ଟର ଥିବାବେଳେ ନନ୍ଦକିଶୋରଙ୍କୁ ୧୯୨୪ ମସିହାରେ ଇଂରେଜ ସରକାର ତାଙ୍କର କର୍ମକୁଶଳତା ଯୋଗୁଁ ରାୟସାହେବ ଉପାଧି ଦେଇଥିଲେ । ତାଙ୍କ ପୂର୍ବରୁ ରାଧାନାଥ ଓ ମଧୁସୂଦନ ଉଚ୍ଚ ଉପାଧି ପାଇଥିଲେ । ଏ ଉପାଧିମାନ କବିଙ୍କ ସାହିତ୍ୟସେବା କିମ୍ବା କବିତ୍ୱର ପୁରସ୍କାରରୂପେ ପ୍ରଦତ୍ତ କଥା ଘୋଷିତ ହୋଇ ନ ଥିଲା ।

 

ପୁରୀରେ ଅବସ୍ଥାନ ସମୟରେ କବି ଥରେ ଛୁଟିରେ ନିଜ ଗ୍ରାମ କୁସୁପୁରରେ ଥାନ୍ତି । ଏହି ସମୟରେ ନାରୀକବି କୁନ୍ତଳାକୁମାରୀ କବିଙ୍କ ଗୃହରେ ଏକ ମାସ କାଳ ଅତିଥି ହୋଇଥିଲେ । କୁନ୍ତଳାକୁମାରୀ କବି ପଲ୍ଲୀର ନିସର୍ଗଶୋଭା ଓ କବିପ୍ରତିଭାର ଯଶୋଗାନ କରି ସେହି ସମୟରେ ସ୍ୱରଚିତ କବିତା ନନ୍ଦକିଶୋରଙ୍କୁ ଉପହାର ଦେଇଥିଲେ । ଉଭୟଙ୍କ ଭିତରେ ପିତା ଓ କନ୍ୟାର ସ୍ନେହପୂର୍ଣ୍ଣ ଘନିଷ୍ଠ ସଂପର୍କ ସ୍ଥାପିତ ହୋଇଥିଲା ସେହି କବିତାଟି ନାରୀକବି ତାଙ୍କର ଅର୍ଚ୍ଚନା ପୁସ୍ତକରେ ଲିପିବଦ୍ଧ କରିଛନ୍ତି । କବି ମଧ୍ୟ ତାଙ୍କୁ ନିଜର ଏକ କବିତା ଉପହାର ଦେଇଥିଲେ । ତାହା ଜନ୍ମଭୂମିର ତୃତୀୟ ଭାଗରେ ଦ୍ରଷ୍ଟବ୍ୟ ।

 

ପୁରୀରେ ପ୍ରାୟ ୬ ବର୍ଷ ରହିବାପରେ ସେ ବାଲେଶ୍ୱର ଜିଲ୍ଲାସ୍କୁଲର ପ୍ରଧାନଶିକ୍ଷକରୂପେ ସ୍ଥାନାନ୍ତରିତ ହେଲେ । ସେତେବେଳକୁ ସେ ବହୁମୂତ୍ର ରୋଗରେ ଆକ୍ରାନ୍ତ ହୋଇଥିଲେ ଏବଂ ତାଙ୍କର ଦୃଷ୍ଟିଶକ୍ତି ମଧ୍ୟ କ୍ରମଶଃ ହ୍ରାସ ପାଉଥିଲା । ବାଲେଶ୍ୱରର ଜଳବାୟୁ ଏ ଅବସ୍ଥାରେ ତାଙ୍କପ୍ରତି ଆହୁରି ପ୍ରତିକୂଳ ହେଲା । ତେଣୁ ସେଠାରେ ବର୍ଷେ ମାତ୍ର ଅତିବାହିତ ନହେଉଣୁ ସେ ଦୀର୍ଘଛୁଟି ନେବାକୁ ବାଧ୍ୟ ହେଲେ । ୧୯୨୭ ମସିହାରେ ସ୍ୱାସ୍ଥ୍ୟହାନିବଶତଃ ସେ ସରକାରୀ କର୍ମରୁ ଅବସର ଗ୍ରହଣ କଲେ।

 

ଅବସର ଗ୍ରହଣ ପରେ ନନ୍ଦକିଶୋର ସ୍ୱଗ୍ରାମରେ ଆସି ଅବସ୍ଥାନ କଲେ । ଗ୍ରାମରେ ରହି କ୍ରମେ ସ୍ୱାସ୍ଥ୍ୟଲାଭ କରିବେ ବୋଲି ସେ ଯେଉଁ ଆକାଙ୍‌କ୍ଷା ପୋଷଣ କରିଥିଲେ ତାହା ଫଳବତୀ ହେଲା ନାହିଁ । ସୁତରାଂ ତାଙ୍କର ଅଭିଳାଷ ଅନୁଯାୟୀ ଶେଷ ଜୀବନରେ ବାଣୀ ଆରାଧନା ମଧ୍ୟ ବିଶେଷ ଭାବରେ ସମ୍ଭବ ହୋଇ ନ ଥିଲା । ଏହି ସମୟରେ ତାଙ୍କର ଦୃଷ୍ଟିଶକ୍ତି ଅଧିକ ହ୍ରାସ ପାଇବାକୁ ଲାଗିଲା । ଫଳରେ ସ୍ୱହସ୍ତରେ ଲେଖି କବିତା ରଚନା କରିବା ପ୍ରାୟ ତାଙ୍କ ପକ୍ଷରେ ସମ୍ଭବ ହେଉ ନ ଥିଲା । କିନ୍ତୁ ଅନେକ ସମୟରେ ତାଙ୍କ ଲେଖନୀ ତଳରେ ଖାତା ରଖି ଦିଆଯାଉଥିଲେ ସେ ନିର୍ଭୁଲ ଭାବରେ କବିତା ପଙ୍‌କ୍ତିମାନ ଲେଖି ଦେଉଥିଲେ । ଏହି ଅବସ୍ଥାରେ କବି କନକଲତା ଉପନ୍ୟାସର ଶେଷ ଭାଗ ଲେଖିଥିଲେ ବୋଲି କୌଣସି ପୁସ୍ତକରେ ଉଲ୍ଲେଖ ହୋଇଛି । କିନ୍ତୁ ତାହା ଠିକ୍ ନୁହେଁ । ସ୍ୱଗ୍ରାମ ଅବସ୍ଥାନର ବହୁପୂର୍ବରୁ କେବଳ ଲେଖା ନୁହେଁ, କନକଲତାର ପ୍ରକାଶ ମଧ୍ୟ ହୋଇଯାଇଥିଲା । ଦୃଷ୍ଟିଶକ୍ତିହ୍ରାସ ଅବସ୍ଥାରେ କବିଙ୍କର ମଧ୍ୟମା କନ୍ୟା ଶ୍ରୀମତୀ ସରସ୍ୱତୀ ଅଧିକାଂଶ ଶ୍ରୁତଲିଖନ ଗ୍ରହଣ କରୁଥିଲେ । ଏହି ଶ୍ରୁତଲିଖନଦ୍ୱାରା ପ୍ରଭାତ−ସଙ୍ଗୀତ ଓ ସନ୍ଧ୍ୟା−ସଙ୍ଗୀତ ପୁସ୍ତକର କେତେକ କବିତା ରଚିତ ହୋଇଥିଲା । କବି ଏକ ଧ୍ୟାନରେ ବସି ପଙ୍‌କ୍ତି ପରେ ପଙ୍‌କ୍ତି ଡାକି ଯାଉଥନ୍ତି ଏବଂ ଶ୍ରୀମତୀ ସରସ୍ୱତୀ ସେଗୁଡ଼ିକୁ ଲିପିବଦ୍ଧ କରୁଥାନ୍ତି ।

 

ନନ୍ଦକିଶୋର କ୍ରମେ ଅଧିକ ଅସୁସ୍ଥ ହେବାରୁ ପରିବାର ଓ ବନ୍ଧୁମାନେ ତାଙ୍କୁ ଚିକିତ୍ସାପାଇଁ କଟକ ଘେନିଆସିଲେ । ଘରୁ ସବାରିକୁ ଉଠିଲାବେଳେ ସେ ବନ୍ଧୁମାନଙ୍କୁ ଚାହିଁ ସାଶ୍ରୂନୟନରେ କହି ଉଠିଲେ ‘Let me die peacefully at my native village,” ତାଙ୍କର ସେ ଆକୁଳ ଅନୁରୋଧ ରକ୍ଷିତ ନ ହୋଇ ତାଙ୍କୁ କଟକ ନିଆଗଲା । କିନ୍ତୁ ବହୁ ଚିକିତ୍ସା ସତ୍ତ୍ୱେ ସ୍ୱାସ୍ଥ୍ୟଲାଭର କୌଣସି ଲକ୍ଷଣ ଦେଖାଗଲା ନାହିଁ । ବରଂ ଅଧିକ ଅବନତି ଓ ରୋଗ ବୃଦ୍ଧି ହେବାକୁ ଲାଗିଲା । ବହୁମୂତ୍ର ରୋଗଜନିତ ନାନା ଉପସର୍ଗ ତାଙ୍କୁ ଶଯ୍ୟାଶାୟୀ କରିଦେଲା । ଏହା ଯେ ମୃତ୍ୟୁପଥର ଯାତ୍ରା କବି ତାହା ନିଶ୍ଚିତରୂପେ ଜାଣିଥିଲେ।

 

ଏହିପରି ରୋଗବୃଦ୍ଧି ଭିତରେ ୧୯୨୮ ମସିହା ଜୁଲାଇ ମାସ ପହିଲା ତାରିଖ ରାତି ଚାରି ଘଣ୍ଟା ସମୟରେ ଓଡ଼ିଆ ଲଘୁକବିତାର ଯୁଗସ୍ରଷ୍ଟା ନନ୍ଦକିଶୋର ପଲ୍ଲୀର ଶାନ୍ତିପୂର୍ଣ୍ଣ ପଲ୍ଲବମୟ ଅଙ୍କ ଏବଂ ନଗରର ସମସ୍ତ ଆଡ଼ମ୍ବରର ମାୟା ତ୍ୟାଗକରି ମାତ୍ର ୫୨ ବର୍ଷ ବୟସରେ ପରଲୋକ ଯାତ୍ରା କଲେ । ଓଡ଼ିଶାର ବହୁ ମନୀଷୀ ଓ କବିମାନଙ୍କର ସମାଧିଭୂମି ସତୀଚଉରାଠାରେ କବିଙ୍କର ଶେଷକୃତ୍ୟ ସମାପ୍ତ କରାଗଲା । କଟକର ବହୁ ବିଶିଷ୍ଟ ଲୋକ ଓ ଛାତ୍ରମାନେ ତାଙ୍କର ଶୋଭାଯାତ୍ରାରେ ଯୋଗଦେଇ ବରେଣ୍ୟ କବିଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ । ମୃତ୍ୟୁ ସମୟରେ କବିଙ୍କ ନିକଟରେ ତାଙ୍କର ପତ୍ନୀ ଶ୍ରୀମତୀ କୋକିଳ ଦେବୀ, ପୁତ୍ର କୃଷ୍ଣକିଶୋର, ହେମନ୍ତକିଶୋର ଓ ବସନ୍ତକିଶୋର, ମଧ୍ୟମା କନ୍ୟା ସରସ୍ୱତୀ ଏବଂ ଜାମାତା, କନିଷ୍ଠା କନ୍ୟା ଲକ୍ଷ୍ମୀ ରହିଥିଲେ । ନନ୍ଦକିଶୋରଙ୍କ ତିନି କନ୍ୟାଙ୍କ ଭିତରୁ ଜ୍ୟେଷ୍ଠା କନ୍ୟା ପାର୍ବତୀ ଓ କନିଷ୍ଠା କନ୍ୟା ଲକ୍ଷ୍ମୀ ବର୍ତ୍ତମାନ ଜୀବଦ୍ଦଶାରେ ନାହାନ୍ତି ।

 

ନନ୍ଦକିଶୋର ଗୁଣର ପୂଜାରୀ ଥିଲେ । ଗୁଣୀଲୋକମାନଙ୍କୁ ଜାତିଧର୍ମନିର୍ବିଶେଷରେ ଆଦର କରୁଥିଲେ । ଛାତ୍ର, ଲେଖକ ଓ ଯୁବକମାନଙ୍କୁ ଉଚ୍ଚ ଆଦର୍ଶ ଗ୍ରହଣ କରିବାକୁ ଉପଦେଶ ଦେଇ ଉତ୍ସାହିତ କରୁଥିଲେ । ତାଙ୍କର ଧର୍ମମତ ନୀତି ଉପରେ ପ୍ରତିଷ୍ଠିତ ଥିଲା । ସେ କୌଣସି ଲୌକିକତାର ପକ୍ଷପାତି ନ ଥିଲେ । ହିନ୍ଦୁଧର୍ମ ମଧ୍ୟରେ ପଶିଥିବା ସାମାଜିକ କୁସଂସ୍କାର ଦୂର କରିବାରେ ସେ ପ୍ରୟାସୀ ଥିଲେ । ବାଲ୍ୟବିବାହ ଓ ବାଳବୈଧବ୍ୟର ବିରୁଦ୍ଧରେ ସେ ତୀବ ସମାଲୋଚନା କରିଛନ୍ତି । “କନକଲତା” ଉପନ୍ୟାସର ‘ରାଜେନ୍ଦ୍ର’ ଚରିତ୍ରଚିତ୍ରଣ ତାଙ୍କ ନିଜ ଚରିତ୍ରର ବ୍ୟାଖ୍ୟାନ ଅଟେ । ‘ରାଜେନ୍ଦ୍ର’ ଜୀବନର ଆଦର୍ଶହିଁ ତାଙ୍କର ଆଦର୍ଶଥିଲା।

 

ନନ୍ଦକିଶୋର ଅତି ସ୍ୱାଧୀନଚେତା ଥିଲେ । ସେ ଭାରତୀୟ ସଂସ୍କୃତିର ଉପାସକ ଥିଲେ । ବିଶ୍ୱଭାରତୀର ହିନ୍ଦୀ ଅଧ୍ୟାପକ କବିଙ୍କ ବାର୍ଷିକ ଶ୍ରାଦ୍ଧବାସରରେ କହିଛନ୍ତି, ପାଶ୍ଚାତ୍ୟ ନାଗରିକ ସଭ୍ୟତା ଆମର ଜାତୀୟ ଜୀବନକୁ ଗ୍ରାସ କରିବାକୁ ଯାଉଥିଲାବେଳେ ଆମର ଜାତୀୟ ସଂସ୍କୃତିର ଅଧିନେତାମାନେ ଆମର ଦୃଷ୍ଟି ପଲ୍ଲିଅଭିମୁଖୀ କରିବାକୁ ଉଦ୍ୟମ କରିଥିଲେ । ରବୀନ୍ଦ୍ରନାଥ, ଗାନ୍ଧିଜୀଙ୍କର ଏହାହିଁ ଥିଲା ଜୀବନର ଆଦର୍ଶ । କବି ନନ୍ଦକିଶୋର ମଧ୍ୟ ଏହି ଆଦର୍ଶକୁ ତାଙ୍କ ଲେଖାରେ ସଜୀବ ପ୍ରକାଶ କରିଦେଇଯାଇଛନ୍ତି ।

 

ଏଠାରେ ବିନୟର ସହ କହିବାକୁ ହୁଏ ଯେ, ନନ୍ଦକିଶୋରଙ୍କ ମୃତ୍ୟୁରେ ଯେ ଏକ ବିରାଟ ଜାତୀୟ କବିଙ୍କ ଅବସାନ ଘଟିଲା ତାହା ସେତେବେଳର ଓଡ଼ିଶାର ତରୁଣ କବିମାନେ ଅନୁଭବ କରିପାରି ନ ଥିଲେ । ‘ଉତ୍କଳ ସାହିତ୍ୟ’ ଓ ‘ମୁକୁର’ ମାସିକପତ୍ର ସେତେବେଳେ ମଧ୍ୟ ଜୀବିତ ଥାଏ । ତାହାର ସ୍ୱନାମଧନ୍ୟ ସଂପାଦକଦ୍ୱୟ ମଧ୍ୟ ଥାଆନ୍ତି । କିନ୍ତୁ ଏ ଘଟଣାରେ ସେମାନେ ସେପରି ସ୍ପନ୍ଦନଶୀଳ ହେବା ଦେଖାଯାଇ ନ ଥିଲା । ସତକହିବାକୁ ଗଲେ ନନ୍ଦକିଶୋରଙ୍କ ମୃତ୍ୟୁ ସମୟକୁ ଓଡ଼ିଆ ସାହିତ୍ୟରେ ଏକ ସନ୍ଧିକ୍ଷଣ ପହଞ୍ଚି ଥାଏ । “ଉତ୍କଳ ସାହିତ୍ୟ”ରେ ସେତେବେଳେ ନୂତନ କବିତା ନାମରେ ଅବୋଧ୍ୟ ସାହିତ୍ୟର ପ୍ରାଦୁର୍ଭାବ ଚାଲିଥାଏ । ଜାତୀୟ ସାହିତ୍ୟରେ କଣ ଭଲ ଓ କଣ ମନ୍ଦ ତାହା ମଧ୍ୟ ସୁଧୀ ବିଶ୍ୱନାଥ କରଙ୍କୁ ବିଚାର ସଙ୍କଟରେ ପକାଇଥିଲା ପରି ଜଣାପଡ଼େ । ସୁତରାଂ ଏହି ସମୟ ଏକ ବିରାଟ ପ୍ରଶ୍ନବାଚକର କାଳ । ଏହି ପ୍ରଶ୍ନବାଚକତା ଭିତରେ ନନ୍ଦକିଶୋର ମହାପ୍ରସ୍ଥାନ କଲେ । ସେଥିରେ ସମ୍ବୋଧନର ଅବକାଶ ହୁଏତ ସୃଷ୍ଟି ହୋଇପାରିଲା ନାହିଁ । କିନ୍ତୁ ସୁଖର କଥା ଯେ, ଓଡ଼ିଆ ସାହିତ୍ୟର ସେ ନିଶ୍ଚେଷ୍ଟ କାଳ ଏବେ ଅନ୍ତର୍ହିତ ହୋଇଛି ଏବଂ ତରୁଣ ସାହିତ୍ୟିକଗଣ ସେମାନଙ୍କର ପ୍ରାରମ୍ଭ କାଳର ଫେନୋଚ୍ଛ୍ୱାସ ପରେ ସାହିତ୍ୟର ଧୀର ନିର୍ମଳ ନୀରଧାରା ପାଖକୁ ଆଜି ଫେରିଆସି ପାରିଛନ୍ତି । ଆଜି ସେମାନେ ହୃଦୟଙ୍ଗମ କରିଛନ୍ତି ଯେ, ନନ୍ଦକିଶୋରଙ୍କ ଆହ୍ୱାନ ହିଁ ଶତାଦ୍ଦୀ ଓ ଯୁଗର ଆହ୍ୱାନ । ଏ ଆହ୍ୱାନ ନିକଟରେ ଅତିକ୍ରାନ୍ତ ହେବା ସମ୍ଭବ ନୁହେଁ । ନନ୍ଦକିଶୋରଙ୍କ ଆହ୍ୱାନ ଶେଷରେ ପଲ୍ଲୀ, ଜାତି ଓ ସମାଜର ପରିସରକୁ ମଧ୍ୟ ଅତିକ୍ରମ କରିଛି । ତାଙ୍କର ସେହି ଆହ୍ୱାନ ଶାଶ୍ୱତ ମାନବିକତାସୃଷ୍ଟିର ଆହ୍ୱାନ । ତାହାକୁ ଚିରଦିନ ସକଳ କବି ନିଜ ନିଜର କାମନା ପୂରଣର ବାଣୀରୂପେ ଗ୍ରହଣ କରି କହିବେ–

 

“ହେ ଈଶ୍ୱର, ହର ମୋର ସର୍ବ ଅଧୀନତ,

ଦିଅ ମୋତେ ଆକାଙ୍‌କ୍ଷିତ ପ୍ରାଣ−ସ୍ୱାଧୀନତା ।”

 

କୁସୁପୁର

 

ତା ୨୫ । ୪ । ୧୯୫୫

ଶ୍ରୀ ସୂର୍ଯ୍ୟମଣି ଜେନା

 

ନବ ଶତାଦ୍ଦୀର ନିମନ୍ତ୍ରଣ

ଉତ୍କଳ−ଆକାଶେ             ନବ ଦିନମଣି

ଉଠ ନିଦ୍ରା ତେଜି ଭାଇ,

ଅରୁଣ−ଗଗନେ             ତରୁଣ ତପନ,

ଯାମିନୀ ଯାଇଛି ପାହି ।

ନବୀନ ଶତାବ୍ଦୀ             ନବ ନିମନ୍ତ୍ରଣ

ଆଣିଛି ଉତ୍କଳ ପାଇଁ,

ଜଗତ ଆହ୍ୱାନ             ଶୁଭଇ ଦୁଆରେ

ନ ଶୁଅ ନ ଶୁଅ ଭାଇ ।

ଗହଳ ଚହଳ             କଳ କୋଳାହଳ

ଚାରିଦିଗେ ଶୁଭେ ବୋଲି,

କାଳନିଦ୍ରା ତେଜି             ଆଳସ୍ୟ ବରଜି

ଆସ ଆସ ଦ୍ୱାର ଖୋଲି ।

ଅଛି ଇତିହାସ             ଅଛି ବୁଦ୍ଧି ବଳ

ଅଛି ଅତୀତ ବିଭବ,

ଆଳସ୍ୟ ତେଜିଣ             ଲଭି ଜ୍ଞାନ ଧର୍ମ

ଫେରାଅ ପୂର୍ବ ଗୌରବ ।

ପିତୃ ପିତାମହ             ଅକ୍ଷୟ କୀରତି

ରଖି ଯାଇଛନ୍ତି ଚାଲି,

ତାହାର ଉନ୍ନତି             ନ କରିଣ କିପାଁ

ଭଜୁଅଛ ନାମ ଖାଲି ?

ଏହି ଦେଶେ ଜନ୍ମି             କବିସୂର୍ଯ୍ୟ, ଭଞ୍ଜ,

ଦୀନକୃଷ୍ଣ ଆଦି କବି

ଚିତ୍ର ଯାଇଛନ୍ତି             ଉତ୍କଳ−ମାତାଙ୍କ

ଆହା କି ବରେଣ୍ୟ ଛବି !

ଏକାମ୍ରେ, କୋଣାର୍କେ             ଚନ୍ଦ୍ରଭାଗାତୀର୍ଥେ

ତବ ପିତୃପିତାମହ,

ନୀଳାଚଳେ ଯେଉଁ             କୀର୍ତ୍ତି ରଖିଛନ୍ତି

ଦିଏ ସେ ମନେ ବିସ୍ୱୟ ।

ଏହି ଦେଶେ ଜନ୍ମି             ମର୍କତକେଶରୀ

ବାନ୍ଧିଲେ ପାଷାଣ ସେତୁ,

ଯଯାତି, ଲଲାଟ             ତୋଳି ମନ୍ଦିରାଦି

ଉଡ଼ାଇଲେ କୀର୍ତ୍ତି−କେତୁ ।

ଏହି ଦେଶେ ଆସି             ବୃଦ୍ଧି−ଶିଷ୍ୟଗଣ

ଉଡ଼ାଇଲେ ସାମ୍ୟଧ୍ୱଜା,

କନ୍ଦରେ କନ୍ଦରେ             ଲେଖିଲେ ଆଦେଶ

ଅଶୋକ ଧାର୍ମିକ ରାଜା ।

ଧଉଳି−ଲଳିତ−             ଅଳିତ−ଉଦୟ

ଖଣ୍ଡଗିରି ଆଦି ଗିରି

ଅତୀତ ଗୌରବ             ମୂକ ସାକ୍ଷୀ ରୂପେ

ପ୍ରଚାରନ୍ତି ପୂର୍ବ ଶିରୀ ।

ପଞ୍ଚ ସଖା ଆଦି             କେତେ କେତେ ସାଧୁ

ଜନମି ଏହି ଉତ୍କଳେ

ତେଜି ଗୃହ, ଦ୍ୱାର,             ରାଜ୍ୟ, ପରିବାର

ମାତିଥିଲେ ଦଳେ ଦଳେ ।

କପିଳେନ୍ଦ୍ର ଦେବ,             ଶ୍ରୀ ପୁରୁଷୋତ୍ତମ,

ପ୍ରତାପରୁଦ୍ର ନୃପତି

ଟେକିଲେ ତ୍ରିବେଣୀ−             କାଞ୍ଚୀ ସେତୁବନ୍ଧେ-

ଗଉଡ଼େ, କର୍ଣ୍ଣାଟେ ଛତି ।

ଅଛି ସେହି ଦେଶ             ସେହି ଗିରି ନଦୀ

ସେହି ବିଶାଳ ଗଗନ,

ଘୋର−ଅବସାଦ−             ଜଡ଼ିମା−ଜଡ଼ିତ

କିମ୍ପାଇଁ ଓଡ଼ିଶା−ମନ ।

କିବା ଦ୍ୱେଷ ଘୃଣା             କିମ୍ପା ହୀନ ହିଂସା

କିମ୍ପା ତୁନି ତୁନି କଥା,

କିମ୍ପା ବକ୍ରଦୃଷ୍ଟି             କିମ୍ପା ଦ୍ୱେଷ−ବୃଷ୍ଟି

ଉଠାଅ ସଳଖେ ମଥା ।

ସଂକୀର୍ଣ୍ଣତା ପଙ୍କେ             କିମ୍ପା ଲଟପଟ

ଆସ ସିଧା ରାଜପଥେ,

କ୍ଷୁଦ୍ର ସୀମା ବାନ୍ଧି             ଅଲଗା ଅଲଗା

କିମ୍ପା ଭାଇ ଭାଇ ମଧ୍ୟେ !

କୃପଭେକ ପ୍ରାୟ             କ୍ଷୁଦ୍ର ଆଭିଜାତ୍ୟେ

କିମ୍ପା ଅଛ ବୁଡ଼ି ଭାଇ !

ଉଦାର ଆକାଶ             ପୁରତେ ବିରାଜେ

ଦେଖ ଦେଖ ଊର୍ଦ୍ଧ୍ୱେ ଚାହିଁ ।

ବିଶ୍ୱଯାନ୍ତ୍ରିକଦଳ             କରି କୋଳାହଳ

ବିଶ୍ୱ ଗୀତ ଉଚ୍ଚେ ଗାଇ

ପାଉଛନ୍ତି ଆହା             ଉନ୍ନତି−ପଥରେ,

ଚାଲ ସାଥୀ ହେବା ଭାଇ ।

ତେଜ କ୍ଷୁଦ୍ର ଦ୍ୱେଷ             ଲିଭା ହିଂସାନଳ

ଭୁଲି ନୀଚ ଅଭିମାନ,

ଭାଇ ଭାଇ ହୋଇ             ହାତ ଧରାଧରି

କରି ମହା−ଅଭିଯାନ ।

ଉତ୍କଳ−ଦୁଆରେ             ଶୁଭୁଛି ଶବଦ

ଶୁଣ ଶୁଣ ଡ଼େରି କର୍ଣ୍ଣ,

ନିଖିଳ ଜଗତ             ପଠାଇ ଅଛନ୍ତି

ମହାଦରେ ନିମନ୍ତ୍ରଣ ।

ନବୀନ ଶତାଦ୍ଦୀ             ନବନିମନ୍ତ୍ରଣ

ଆଣିଛି ଉତ୍କଳ ପାଇଁ,

ଜଗତ−ଆହ୍ୱାନ             ଶୁଭଇ ଦୁଆରେ

ଉଠ ନିଦ୍ରା ତେଜି ଭାଇ ।

 

ଶ୍ରୀକ୍ଷେତ୍ର

ଏହି ସେହି ପୁଣ୍ୟକ୍ଷେତ୍ର ! ଯା ଦର୍ଶନ ପାଇଁ,

ଦିଗଦିଗନ୍ତରୁ ଯାତ୍ରୀ ଆସୁଛନ୍ତି ଧାଇଁ ।

ଏହି ସେହି ଶଙ୍ଖକ୍ଷେତ୍ର ନୀଳାଦ୍ରିକନ୍ଦର ,

ଚାରିଧାମ ମଧ୍ୟେ ଯାହା ଶ୍ରେଷ୍ଠ ଭାରତର ।

 

ଏହି ସେହି ପୁରୀ ପୁରୀ−ପ୍ରଧାନ ପୁରାଣ,

ଶୋଭାବତୀ ଉତ୍କଳର ସୁଷମା−ଉଦ୍ୟାନ ।

ଏହି ସେହି ନୀଳାଚଳ ଯାହାର ଚରଣେ,

ଧୌତ କରେ ନୀଳ ସିନ୍ଧୁ ସୁଗମ୍ଭୀର ସ୍ୱନେ ।

 

ଏହି ସେ ନଗର ପୁରାତନ ପୁଣ୍ୟଶ୍ଳୋକ,

ଗୀବାଣ ଯାହାର ଖ୍ୟାତ ଏ ଭାରତ ଲୋକ ।

ଏହି ସେହି ପୁଣ୍ୟ ତୀର୍ଥ ନୀଳାଚଳଧାମ,

ଶୈଶବ−ସ୍ମୃତିର ସଙ୍ଗେ ଜଡ଼ିତ ଯା ନାମ ।

 

ନରେନ୍ଦ୍ର−ସରସୀ ଏହି ପବିତ୍ର ସଲିଳା,

ଯା ନୀରେ କରନ୍ତି ସ୍ନାନ ଶ୍ରୀକ୍ଷେତ୍ର−ମହିଳା ।

ଏହି ସେହି ବଡ଼ଦାଣ୍ଡ ଉଦାର ପ୍ରଶସ୍ତ,

ଶାରଦ ଗଗନେ ଯେହ୍ନେ ଶୋହେ ଛାୟାପଥ ।

 

ଏହି ସେହି ଜଗନ୍ନାଥ−ସୁତୁଙ୍ଗ−ମନ୍ଦିର,

ପ୍ରତିଭା ବିଜୟ ସ୍ତମ୍ଭ ଉତ୍କଳବାସୀର ।

ଏହି ସେହି ପ୍ରିୟ ଭୂମି ଯାହାର ଅତୀତ-

ଗୌରବ ସୁମରି ହୁଏ ଚିତ୍ତ ବ୍ୟାକୁଳିତ ।

 

ପ୍ରବଳ ହୃଦୟାବେଗ ଦୁର୍ବଳ ଲେଖନୀ,

କେସନେ ବର୍ଣ୍ଣିବି ସେହି ପୁରାଣ କାହାଣୀ !

ଥିଲା ଦିନ ଯେବେ ଭାଗ୍ୟବନ୍ତ ଏ ଉତ୍କଳ,

ହୋଇଛି କେସନ ହୀନ ପତିତ ଦୁର୍ବଳ !

 

ବଉଦ କେଶରୀ ଗଙ୍ଗ−ବଂଶୀୟ ଶାସନ,

କରି କଲେ କେତେ ପୁଣ୍ୟ କୀରତି ସ୍ଥାପନ ।

ମହାନଦୀ−କାଠଯୋଡ଼ି−ତୀରେ ଶିଳାସେତୁ

ବାନ୍ଧି, ଉଡ଼ାଇଲେ ବିଶ୍ୱେ ପ୍ରତିଭାର କେତୁ ।

 

ଶ୍ରୀକ୍ଷେତ୍ର−ଏକାମ୍ର−ଯାଜପୁର−କୋଣାର୍କରେ,

ଶଙ୍ଖ−ଚିତ୍ର−ଗଦା−ପଦ୍ମ ଚାରି କ୍ଷେତ୍ରବରେ ।

ସ୍ଥାପିଣ, ଉତ୍କଳ−କୀର୍ତ୍ତି−ସ୍ତମ୍ଭ ସଂସ୍ଥାପନ,

କରି, ଉଡ଼ାଇଲେ ଶିଳ୍ପକଳାର କେତନ ।

ଏହି ମହୋଦଧି−ତଟୁଁ କରି ଜଳଯାତ୍ରା,

ବାହିଣ ବୋଇତ ବାଲି ଯାବା ଓ ସୁମାତ୍ରା ।

 

ଉତ୍କଳ−ବଣିକବର୍ଗ ବାରଧି−ବକ୍ଷରେ,

ବାଣିଜ୍ୟ କରିଲେ ଯାଇଁ ଦ୍ୱୀପଦ୍ୱୀପାନ୍ତରେ ।

ସେହି ଦେଶେ ଆଜି ଆହା ପୋତ−ଆରୋହଣ,

ହୁଏ ବିବେଚିତ ଜାତି−ନାଶର କାରଣ !

 

ଜୟଲବଧା କାଞ୍ଚୀରାଜଜେମା ପଦ୍ମାବତୀ,

ଏହିଠାରେ ରଣପୋତୁଁ ଓହ୍ଲାଇଲେ ସତୀ ।

ଏ ସିନ୍ଧୁ−ପୁଳିନୁ ଛାଡ଼ି ପୋତ ଓଡ଼ିଆଏ,

ଯାଇଥିଲେ ଜଳଯାନେ ତମଲୁକଯାଏ ।

 

ଦାକ୍ଷିଣାତ୍ୟେ କାଞ୍ଚୀ ସେତୁବନ୍ଧ ରାମେଶ୍ୱର,

ଉତ୍ତରେ ତ୍ରିବେଣୀ ତମଲୁକ ଅଧିକାର ।

କରିଥିଲେ ଉତ୍କଳିଏ, ଆହା କି ପ୍ରକାରେ,

ସେ ସ୍ମୃତି ଉଭେଇଗଲା ବୁଦ୍‌ବୁଦ୍‌ ଆକାରେ !

 

ଉତ୍କଳ−କୈବର୍ତ୍ତେ ଜୟ କଲେ ଯେଉଁ ଦେଶ,

ସେହି ଦେଶ କହେ ଆଜି “ଉତ୍କଳିଏ ମେଷ” !

ଅଛି ସେ ନୀଳାଦ୍ରି ଅଛି ଜଳଧି−ପୁଳିନ,

ସେ ଅଦମ୍ୟ ମନୁଷ୍ୟତା ହେଲା କାହିଁ ଲୀନ ।

 

ବିଜୟ−ଗମନେ ଏହିଠାରୁ ବୀରଗଣ,

ଯାତ୍ରା କରି ପରାଜିଲେ ଅସଂଖ୍ୟ ଯବନ ।

ଶତ ଶତ ବର୍ଷ ବିତିଗଲା, ଶତ୍ରୁ ଥାଟ,

ଭାଙ୍ଗି ନ ପାରିଲେ ଓଡ଼୍ର−କୃପାଣ−କପାଟ ।

 

ଅହିଂସା ପରମ ଧର୍ମ−ପ୍ରଚାରକ ବଦ୍ଧ,

ସ୍ଥିତ ଅବତାରରୂପେ ନବମ ବଉଦ୍ଧ ।

ପୌରୋହିତ୍ୟ−ଅତ୍ୟାଚାର ଜାତି−ଅଭିମାନ,

ବୌଦ୍ଧ ଧର୍ମ କରିଥିଲା ଏଥି ଅବସାନ ।

 

ହିନ୍ଦୁ−ବୌଦ୍ଧ−ସମନ୍ୱୟ−ଭୂମି ନୀଳାଚଳ,

ଯା ଲାଗି ଭାରତେ ଧନ୍ୟ ଦରିଦ୍ର ଉତ୍କଳ ।

ଏତେ ପ୍ରିୟ ସ୍ମୃତି ଯହିଁ ଉଦିତ ମାନସେ,

ପ୍ରଣମ ସମ୍ଭ୍ରମେ ପ୍ରିୟ ସେ ତୀର୍ଥ ଉଦ୍ଦେଶେ ।

 

ବନପ୍ରିୟ

We look before and after.

And pine for what is not,

Our sincerest laughter

With some pain is fraught:

Our sweetest songs are those

That tell of saddest thought.

            To A Sky Lark - P. B. Shelley

 

ଋତୁଚକ୍ର−ଅୟନେ             ବସନ୍ତ ଆଗମନେ

ଏ ବିଶ୍ୱେ ବିମୋହିତ କରି

ବସି ପତ୍ର ଗହଳେ             ମଧୁକଣ୍ଠ ଚହଳେ

ଢାଳୁରେ ପଞ୍ଚମ ଲହରୀ;

କୁହରୁ ପିକ ଘନ ଘନ,

ଶୁଭଇ କହୁ କହୁ ସ୍ୱନ,

ଶୁଣନ୍ତେ ତୋ ଗାୟନ             ବିକଳ ପ୍ରାଣ ମନ

ବିଚ୍ଛେଦ−ବିଦଗ୍‌ଧ ମୋହରି ରେ ବନପ୍ରିୟ । ୧ ।

 

କାହୁଁ ତୁ ଆସି ଉଡ଼             ପତ୍ରଗହଳେ ବୁଡ଼ି

ସୁମରି ମଧୁର ସ୍ୱଦେଶ

ଫେଡ଼ି ହୃଦୟଦ୍ୱାର             ଝଙ୍କାରୁ ବାରମ୍ବାର ?

ତୋ ସ୍ୱନ ଭେଦେ ହୃଦଦେଶ,

ସ୍ୱଦେଶୁଁ ମୋ ହୃଦୟ−ରାଣୀ

ପଠାଇଛନ୍ତି କିବା ବାଣୀ ?

ତୋ ଘନ ଘନ ସ୍ୱନେ             ମୋ ମାୟାମୁଗ୍ ଧମନେ

ହୁଅଇ ବିରହ−ଆବେଶ । ୨ ।

 

କରେ ତୋ ସୁଧା−ସ୍ୱନ             ଅତୀତ−ଉଦ୍‌ବୋଧନ

କି ଅର୍ଥ ଅଛି ସେ ସୁଧାରେ !

ବଜାଏ ତୋର ଗୀତ             ବିରହର ସଙ୍ଗୀତ

ମୋ ହୃଦତନ୍ତ୍ରିବୀଣାତାରେ;

ଆହା କି ମଧୁର ସେ ଧ୍ୱନି !

ଭାବୁକ−ହୃଦ−ସ୍ପର୍ଶମଣି,

ଶୁଣି ତୋ କୁନୁ−ସ୍ୱନ             ଉଦାସ ପ୍ରାଣ ମନ

ବିବଶ ବିଷାଦର ଭାରେ । ୩ ।

 

ଉନ୍ମାଦଭରା ଧ୍ୱନି             ଶୁଣି ମତ୍ତ ଧରଣୀ

କି ମନ୍ତ୍ର ପଢ଼ୁ ଗାଇ ଗାନ,

କି ମାଧୁରୀ ସ୍ୱର୍ଗର             ବିକୀରଇ ତୋର ସ୍ୱର

ଲଳିତ ପଞ୍ଚମ−ସ୍ୱତାନ ?

ଶୁଣି ତୋ ଗୀତ ସୁଧାମୟ

ବହଇ ସୁମନ୍ଦ ମଳୟ,

କଅଁଳେ କିଶଳୟ             କିବା ରକ୍ତିମାମୟ !

ଉଲ୍ଲସି ଉଠେ ବିଶ୍ୱପ୍ରାଣ । ୪ ।

 

ସୁଲଳିତ ପଞ୍ଚମ             ଆହା କି ମନୋରମ

ଅମୃତ ଜିଣିଣ ମଧୁର !

କିପାଇଁ ଢାଳୁ ସୁଧା             ବଢ଼ାଇ ପ୍ରାଣକ୍ଷୁଧା ?

ନିଖିଳ ସୁଖ ହୁଏ ଜୁର,

ପ୍ରବେଶି ସେ ସୁଧା ମୋ କାନେ

ଦୁଃସହ ବିଷ ଢାଳେ ପ୍ରାଣେ,

ପିଇ ଅମୃତ ତୋର             ଜଳଇ ହୃଦ ମୋର

ମୋ ପ୍ରିୟ−ବିରହେ ବିଧୁର । ୫ ।

 

ଶାନ୍ତ ସୁନ୍ଦର ନୀଳ             ଆକାଶରେ କୋକିଳ,

ମୋ ବୋଲ ପିକ କି ଶୁଣିବୁ,

ଘର ଗ୍ରାମ ନଗର             ହ୍ରଦ ତଟିନୀ ସର

ଗିରି କାନନ ଡେଇଁ ଯିବୁ ?

ମୋହିବୁ ଢାଳି ଗୀତମଧୁ

ପ୍ରୋଷିତ−ଜନ−ନବବଧୂ,

ସ୍ୱକାନ୍ତ−ପ୍ରଣୟିନୀ             କଙ୍କଣ କିଣିକିଣି

ନେତ୍ର ଉତ୍ପକ୍ଷ୍ମ କରାଇବୁ । ୬ ।

 

ପିକ ତୁ ଉଡ଼ିଯିବୁ             ପ୍ରିୟା ପାଶେ ରାବିବୁ

କଠିନ ପ୍ରାଣ ତରଳିବ,

ତୋ ରାବ ଶୁଣି ମିତ       ହୋଇ କରୁଣଚିତ୍ତ

କ୍ଷଣେ ବା ମୋ କଥା ଭାବିବ,

କହିଲେ ଉଦନ୍ତ ଘେନିବୁ,

ଢାଳେ ତୁ ବାହୁଡ଼ି ଆସିବୁ,

ଶୁଣିଣ ତୋ ସନ୍ଦେଶ       ତୁଟିବ ମୋ ସନ୍ଦେହ

ମୋ ଜନ୍ମ ସାର୍ଥକ ହୋଇବ ରେ ବନପ୍ରିୟ । ୭ ।

 

 

କୋକିଳ ପ୍ରତି

ହେ ନବୀନ ଅତିଥି ସଦା−ଆନନ୍ଦ,

ଶୁଣନ୍ତେ ତବ ସ୍ୱନ ମନ ସାନନ୍ଦ ।

ରେ ବନପ୍ରିୟ ଅଟୁ ତୁ ବ୍ୟୋମଚାରୀ,

ଅବା ଶବ୍ଦବିଶେଷ ଭ୍ରମଣକାରୀ ?

 

ତୃଣ ଉପରେ ଯେବେ କରେ ଷୟନ,

ଶୁଭଇ ‘କୁହୁ’ ‘କୁହୁ’ ଉଚ୍ଚ ନିସ୍ୱନ,

ଯାଏ କି ପର୍ବତରୁ ପର୍ବତାନ୍ତରେ

ଏକାବେଳକେ ପାଶେ ପୁଣି ଅନ୍ତରେ ?

 

ଯଦିବା ଗିରିଗୁହା ପ୍ରତିଧ୍ୱନିତ

କରି, ଗାଉ ଆଲୋକ−କୁସୁମ−ଗୀତ,

ତୋ ଗୀତ ଶୁଣି ମୋର ହୁଏ ସ୍ମରଣ

ଶୈଶବ ବାର୍ତ୍ତା ସ୍ୱପ୍ନାବେଶ−ଆଚ୍ଛନ୍ନ ।

 

ସ୍ୱାଗତ ହେ ବସନ୍ତ−ସଖା ତ୍ରିବାରେ !

ସାମାନ୍ୟ ପକ୍ଷୀ ତୁହି ନୋହୁ ମୋଠାରେ,

ଅଦ୍ୟାପି ତୁହି ମାତ୍ର ବସ୍ତୁ ଅଜୃଶ୍ୟ,

କେବଳ ବାଣୀ ଅବା ଗୂଢ଼ ରହସ୍ୟ ।

 

ମୋ ଶୈଶବକାଳରେ-ଏହି ସେ ସ୍ୱନ-

ଯାହା ଶୁଣି ମୁଁ ଡେରୁଥିଲି ଶ୍ରବଣ,

ସହସ୍ରବାର ଏଣେ ତେଣେ ଅନାଇ

କୁଞ୍ଜବିଟପୀ−ନୀଳ ଗଗନେ ଚାହିଁ

 

ବୁଲୁଥିଲି ମୁଁ ତୋତେ ଲୋଡ଼ିବାପାଇଁ

କାନନ−ପ୍ରାନ୍ତରକୁ ନିୟତ ଯାଇଁ ।

ସତତ ଥିଲୁ ଆଶା ପ୍ରୀତି ସମାନ

ପ୍ରାଣ ଚିର−ଇପ୍‌ସିତ ଅଦୃଶ୍ୟମାନ ।

 

ଏବେ ମଧ୍ୟ ଶୋଇଣ ଶସ୍ୟକେଦାରେ

ତୋର ସୁଧା ସଙ୍ଗୀତ ମୁଁ ଶୁଣିପାରେ ।

ଶୁଣି ଶୁଣି ତୋ ସ୍ୱନ ହୁଏ ସ୍ମରଣ

ମୋର ସୁବର୍ଣ୍ଣ−ଯୁଗ ବାଲ୍ୟ ଜୀବନ ।

 

ଧନ୍ୟ ଧନ୍ୟ ରେ ପକ୍ଷୀ ! ଏହି ଧରଣୀ-

ଶୁଣି ତୋ ସୁଧା ଗୀତ-ପୁଣି ମୁଁ ମଣି

ରୂପରେଖାବିହୀନ ଅପସରାଦେଶ

ତୋହର ଉପଯୁକ୍ତ ବାସ ପ୍ରଦେଶ ।

-Wordsworth

 

କୋକିଳ

-୧-

ସ୍ୱାଗତ ସୁନ୍ଦର ନିକୁଞ୍ଜ−ରସିକ,

ସ୍ୱାଗତ ବସନ୍ତଚର !

ସାଜିଛନ୍ତି ବିଭୁ ତୋର ପଲ୍ଲୀ−ଧାମ

ଡାକଇ ବନ ସାଦର ।

 

-୨-

ହେଲେ ଶ୍ୟାମ କ୍ଷେତ୍ର ପୁଷ୍ପବିମଣ୍ଡିତ

ଗାଉ ସୁନିଶ୍ଚିତ ସ୍ୱନେ,

ଅଛି କି ତାରକା ଋତୁପରମ୍ପରା

ଅବା ପଥ ପ୍ରଦର୍ଶନେ ?

 

-୩-

ପ୍ରଫୁଲ୍ଲ ପଥିକ ତୋହରି ସଙ୍ଗତେ

ସମ୍ଭାଷେଁ କୁସୁମକାଳେ,

ଶୁଣଇ ନିକୁଞ୍ଜ−ନିବାସୀ ବିହଙ୍ଗ

ମଧୁର ସଙ୍ଗୀତ ଢାଳେ ।

 

-୪-

ଗୋଲାପ କୁସୁମ−ଚୟନ ଆଶୟେ

ଭ୍ରମୁ ଭ୍ରମୁ ଶିଶୁ ବନେ

ଚମକି ପଡ଼ଇ ଶୁଣି ତୋର ସ୍ୱନ,

ଅନୁକରେ ତୋ ଗାୟନୋ

 

-୫-

ମଟର−ଅଙ୍କୁର ବିକଶି ଆସିଲେ-

ସଶଦ୍ଦ ଗୁହା ବରଜୁ

ବର୍ଷ ପରେ ପୁଣି ଆଉ କେଉଁ ଦେଶେ

ଆନ ଋତୁରାଜେ ଭଜୁ ।

 

-୬-

ପ୍ରିୟ ପକ୍ଷି ! ସଦା ଶ୍ୟାମ ତୋ ନିକୁଞ୍ଜ,

ତୋ ନଭ ନିର୍ମଳ ଚିର;

ସଙ୍ଗୀତ ତୋହର ନାହିଁ ତ ବିଷାଦ,

ତୋ ବର୍ଷେ ନାହିଁ ଶିଶିର ।

 

-୭-

ଆହା ! ଶକ୍ତି ଥିଲେ ଉଡ଼ି ମୁଁ ଯାଆନ୍ତି

ବସନ୍ତ–ବନ୍ଧୁ ତୋ ସଙ୍ଗେ;

ଧରଣୀ ଉପରେ ବାର୍ଷିକ ଭ୍ରମଣ

କରନ୍ତୁ ବେନିଏ ରଙ୍ଗେ !

Logan.

 

ପ୍ରବାସୀ

“O tell her, brief is life but love in long,

O swallow, flying from the golden woods,

Fly to her, and pipe and woo her,

      and make her mine.

                  The Princess-Tennyson.

 

ଧୀରେ ମାଡ଼ିଅଛି ଧରା ଋତୁରାଜ ମଧୁ,

ମଧୁତାନେ ଡାକ ଦିଏ ମଧୁବନ–ବଧୂ ।

ଦକ୍ଷିଣରୁ ମୃଦୁ ମନ୍ଦ ବହୁଛି ମଳୟ,

ଲତା–ଦ୍ରୁମେ ବିକଶିଛି ନବ କିଶଳୟ ।

 

ମଞ୍ଜୁ କୁଞ୍ଜେ ମଧୁକର ଗୁଣୁ ଗୁଣୁ ଗୁଞ୍ଜେ,

ପ୍ରଫୁଲ୍ଲ ପ୍ରସନ୍ନ ପଠା–ପଥ–ତୋଟା–କୁଞ୍ଜେ ।

ଏକାଳେ ବିଦେଳୀ ଏକ ସୁନ୍ଦର ପ୍ରବାସେ,

ପିକ କଣ୍ଠେ ପଠାଉଛି ବାର୍ତ୍ତା ପ୍ରିୟା ପାଶେ ।

 

କହିବୁ କୋକିଳ, ଘେନି ତାଠାରୁ ମେଲାଣି,

ବିରହ−ବିଧୁର ପ୍ରାଣ ହୁଏ ମୋର ହାଣି ।

ଇଚ୍ଛା ନ ଥିଲେହେଁ ଦୁଃଖେ ଆଣିଛି ବିଦାୟ,

ପ୍ରାଣ ତାହା ପାଶେ, ଏଥି ଅଛି ମାତ୍ର କାୟ ।

 

ଅର୍ଦ୍ଧପ୍ରାଣେ ପଡ଼ିଅଛି ବିଷାଦ−ପ୍ରବାସେ,

ବିଚ୍ଛେଦ ବହ୍ନିବିଦଗ୍‌ଧ ହୋଇବା ସକାଶେ ।

ସୌଦାମିନୀ ଜିଣି ତାର ଝଟ ଝଟ ତନୁ

ପାସୋର ନ ଯିବ ପ୍ରାଣ ଥିବାଯାଏ ମନୁ ।

 

ଢଳ ଢଳ ତା ମୂରତି ହସ ହସ ମୁଖ,

ଦେଖି ହାତେ ପାଏଁ ପିକ, ଦେବଭୋଗ୍ୟ ସୁଖ ।

କଠୋର କର୍ତ୍ତବ୍ୟ−କ୍ଷେତ୍ରେ କର୍ମ କଲାବେଳେ,

ତା ରୂପ−ମାଧୁରୀ ମୋର ମନେ ପଡ଼େ ହେଳେ ।

 

ରୋଗେ ସ୍ୱାସ୍ଥ୍ୟେ ଦୁଃଖେ ସୁଖେ ଥାଏ ଯଥା ତଥା,

ବଳେ ମନେ ପଡ଼ୁଥାଏ କୋକିଳ, ତା କଥା ।

ରୋଗ−ଶଯ୍ୟା ପାଶେ ତାର ବିଷର୍ଣ୍ଣ ବଦନ,

ତପ୍ତ ବାରି−ବିନ୍ଦୁ ସେବା ସ୍ନେହପରାୟଣ ।

 

କି ଦେଇ ପ୍ରେୟସୀ−ଋଣ−ପାଶୁଁ ମୁକ୍ତ ହେବି,

କେମନ୍ତେ ସେ ପ୍ରୀତିର ମୁଁ ପରିଶୋଧ ଦେବି ?

ପ୍ରଥମ ଦିନର ସେହି ନବୀନ ପ୍ରଣୟ,

ନ ଭୁଲିବ ପ୍ରାଣ ଥିବାଯାଏ ଏ ହୃଦୟ ।

 

ନିଷ୍କପଟ ତାର ସେହି ଆତ୍ମବିସର୍ଜନେ,

ଅତୁଳ ସମ୍ପଦରୂପେ ସମ୍ପାଦିଛି ମନେ ।

ଆଚ୍ଛାଦିଳେ ଚିଦାକାଚି ବିଷାଦ−ଅନ୍ଧାର,

ତା ପୀରତି−ସ୍ମୃତି ସୁଖ−ମୟୂଖର ଧାର ।

 

ନିରାଶା−ଦୁର୍ଦ୍ଦିନ ହୃଦାକାଶେ ଦେଲେ ଦେଖା,

ତା ମଧୁର ପ୍ରୀତି ଆଶା−ଚପଳାର ରେଖା ।

କିନ୍ତୁ ପିକ, ବନ୍ଧୁ ଯେବେ କରିଦେବ ପର,

ବିଫଳ ଲଭିବା ମୋର ନବ−କଳେବର ।

 

ଭାବହୀନ ନେନ୍ତ୍ର ତାର ଦେଖିଲେ କୋକିଳ,

ହୃଦ−ବୃନ୍ତୁଁ ପ୍ରୀତି−ପୁଷ୍ପ ପଡ଼େ ଖସି ଢଳ ।

ନଶ୍ୱର ଯୌବନ ପୁଣି ନଶ୍ୱର ଜୀବନ,

ନିଷ୍କପଟ ପ୍ରୀତି କିନ୍ତୁ ଅଟେ ଚିରନ୍ତନ ।

 

କଠୋର ଜୀବନ−ବ୍ରତ କଠୋର ସଂସାର,

ଘୋର ବାତ୍ୟା−ବିତାଡ଼ିତ ଭବ−ପାରାବାର ।

ମୃଗତୃଷ୍ଣା ପ୍ରବଞ୍ଚିତ ଧରା−ମରୁଦେଶ,

ବିପଦସଙ୍କୁଳ ଏ ଯେ ସଂସାର−ବିଦେଶ ।

 

ସୁଖେ ଦୁଃଖେ ପାଶେ ଦୂରେ କହିବୁ ରେ ପକ୍ଷି,

ସେ ମୋବର ମୁଁ ତାହାର ମନେ ଥିବ ରଖି ।

 

ବିରହିଣୀ ଲତା

O that’t were possible

After long grief and pain

To find the arms of my true love

Round me once again!

Maud: Tennyson.

 

ଦୁଇ ଭ୍ରମର ମିଳି             ପ୍ରବାସ କରି ଗଲେ

ଭ୍ରମିଲେ ସୁଦୂର ବିଦେଶେ,

ଏମନ୍ତ ବହୁ କାଳ             ବହିଣ ଗଲା ଚାଲି

ବାହୁଡ଼ି ନଇଲେ ସ୍ୱଦେଶେ ।

ଏକର ବାଲ୍ୟ ସଖୀ       କ୍ଷୀର−ନୀର−ବାନ୍ଧବୀ

ଲତାଏ ଥିଲା; ଦିନ ଯାଉଁ

କୋମଳ ଅଙ୍ଗରେ ଯେ       କଢ଼ିଟି ହୋଇଥିଲା

ଫଟି ସେ ଦିଶେ ଦାଉ ଦାଉ ।

ପ୍ରଭାତ−ସମୀରଣେ       ଦୋହଲୁଥାଏ ଲତା

ଶାଖାରେ ବସି ପକ୍ଷୀ ଗାଏ,

ନିଶିପାତ ନୀହାର−       ଛଳେ ସେ ଚାରୁଲତା

ନୟନୁଁ ଧାରା ଝରୁଥାଏ ।

ବେଳ ଯାଆନ୍ତେ ବୁଡ଼ି       ମାଡ଼ି ଆସେ ଅନ୍ଧାର

ଫେରନ୍ତି ଗୋଗୋଷ୍ଠେ ଗୋଧନ,

ପଥେ ପଥିକମାନେ       ପୁଷ୍ପିତା ଲତା−ଅଙ୍ଗେ

ଫେରନ୍ତି ସତୃଷ୍ଣ ନୟନ ।

କୃଷକ ନିଜ କ୍ଷେତୁଁ             ହାଟୁଆ ଗ୍ରାମ−ହାଟୁ

ପଠାରୁ ଗୋପାଳନ ଫେରଇ,

ବନ−ଅନ୍ତରାଳରୁ             ଚକ୍ରବାକ ମିଥୁନ

ଡାକ ଦିଅନ୍ତି ରହି ରହି ।

ମେଲାଣି−ଗୀତ ଗାଇ       ବସା−ଗଛ ଆଡ଼କୁ

ଆକାଶେ ଉଡ଼ିଯାଏ ପକ୍ଷୀ

କଣ୍ଠେ ବାହୁ ଛନ୍ଦିଣ             ଲତା ବିତାନ ତଳେ

ବୁଲନ୍ତି ଆସି ସଖା ସଖୀ ।

ଆଲୋକ ଅନ୍ଧକାର−      ରମ୍ୟ ମଧୁମିଳନ

ଦେଖନ୍ତି ଏକାକାନୀ ଲତା

ମଧୁପୂର୍ଣ୍ଣ କୁସୁମ             ପୀଡ଼େ ଲତାର ଅଙ୍ଗ,

ବିଚ୍ଛେଦେ ହୁଏ ସେ ଆରତା ।

ଏମନ୍ତେ ବହୁକାଳେ             ଏକଇ ଷଟପଦ

ବାହୁଡ଼ି ଅଇଲା ସ୍ୱଦେଶେ,

ସ୍ୱବନ୍ଧୁ−ଅଦର୍ଶନେ             ଢଳିପଡ଼ିଲା ଲତା

ଦାରୁଣ ବିଷାଦ ଆବେଶେ !

 

ଜେମାଦେଈ

-୧-

“ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପଖି,

ଜେମାଦେଈ କାନ୍ଦୁଛନ୍ତି ବୁଢ଼ା ବର ଦେଖି ।

ବାପା ବୋଇଲେ ଝିଅ ମୋର ବାର ବରଷର,

ମା ବୋଇଲେ ଝିଅ ମୋର କୋଠାକୁ ସୁନ୍ଦର

ଭାଇ ବୋଇଲେ ଭଉଣୀ ମୋର କତି ପାଶେ ଥାଉ

ହିଂସିକି ଭାଉଜ କହେ ଦୂର ଦେଶେ ଯାଉ ।”

 

-୨-

ଉଡ଼ିଗଲେ ଗେଣ୍ଡାଳିଆ ଝାଡିଦେଲେ ପର,

ଜେମାଦେଈଙ୍କର ବର ଅଶି ବରଷର ।

ଝାଡ଼ିଦେଲେ ପର ଉଡ଼ିଗଲେ ଗେଣ୍ଡାଳିଆ,

ଜେମାଦେଈଙ୍କର ବର କୋଇଲିକାଳିଆ ।

ଜଗନ୍ନାଥଙ୍କର ସିନା ଅଟଇ ବଡ଼ାଇ,

କାହାକୁ ଦିଅନ୍ତି ପାଟ କାହାକୁ ଗଡ଼ାଇ ।

 

-୩-

ରୂପର ତୁରୁଷା ସିନା ହୁଏ ଯୁବାବାଳେ,

ଯୁବାକାଳ ଗଲେ ରୂପ ନ ଫେରଇ ଢାଳେ !

ଗ୍ରାମ−ଶେଷ−ମୁଣ୍ଡ ଘର ଅଟଇ ଚୋରକୁ

ବୁଢ଼ାକାଳ−ବିଭା ପରା ଅଟଇ ପରକୁ ।

ନବୀନ ବୟସ ସିନା ପୀରତି−ସମୟ,

ଘର ନ ଧରିଣ ମନ ହୁଏଟି ଅଥୟ ।

 

-୪-

ସହକାର−ଡାଳେ ମାଡ଼େ ମାଧବୀ ଲତିକା,

ବାହୁ ଛନ୍ଦ ହସୁଥାନ୍ତି ରସିକ ରସିକ ।

ରଜା−ପୁଅ ଯୋଗୀ ହେଲେ ନ ହୁଅଇ ଜଣା,

ନ ଥିଲେ ପାଶରେ କାନ୍ତ ଲାଗୁଥାଏ ବଣା ।

ଉଡ଼ିଗଲେ ଗେଣ୍ଡାଳିଆ ଉଚ୍ଚ ଆକାଶରେ,

ଜେମାଦେଈ କାନ୍ଦୁଛନ୍ତି ମହୁଶଯ୍ୟାଘରେ ।

 

-୫-

ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର,

ଜେମାଦେଈ ହରାଇଲେ ଆଜି ବୁଢ଼ାବର !

ବିକଚ ଗୋଲାପେ ଆସି ବସିଥିଲା କୁଆ

ଉଡ଼ି ଛାଡ଼ିଗଲା କାହିଁପାଇଁ ନୂଆ ନୂଆ !

ପୋଡ଼ିଗଲା ତିଅଣରେ ସୁଆଦ ନ ଥାଏ,

ନ ଫୁଟୁଣୁ ପଦ୍ମକଢ଼ି ମଉଳିଣ ଯାଏ ।

 

-୬-

ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର

ଜେମାଦେଈ କାନ୍ଦୁଛନ୍ତି ଝୁରି ବୁଢ଼ା ବର ।

ଗୀତ ଗାଇ ଯାଅ କିଏ ବିଦେଶୀ ପଥିକ,

ମୋତେ ଦେଖି ଗାଉଛ କି ଅଚିହ୍ନା ରସିକ ?

ପାଣି ଆଣିବାକୁ ଯାଏ ପଡ଼ା ପୋଖରୀକି

ହସନ୍ତି ଯୁବକମାନେ ମୁରୁକି ମୁରୁକି ।

 

-୭-

ପୋଖରୀକୂଳରେ ସେହି ବଉଳମୂଳରେ

ରାବଇ କୋଇଲି ‘କୁଉ’ ‘କୁଉ’ ଥରେ ଥରେ ।

ଦକ୍ଷିଣା ପବନ ବହିଯାଏ ସୁଲୁ ସୁଲୁ,

ଛାତି ମୋର କାହିଁ ପାଇଁ ପଡ଼େ ଦୁଲୁ ଦୁଲୁ !

ଲୋମମୂଳେ ଟାଙ୍କୁରିଣ ଉଠଇ ମୋହର,

ପୋଡ଼ୁରେ ନିଲଜ ପ୍ରାଣ ସୁହାଗ ତୋହର ।

 

-୮-

ଭାସିଗଲା ନଦୀଜଳେ ବଉଳର ମାଳା,

କି କରିବି କାହିଁ ଯିବି ମୁଁ ଷୋଡ଼ଶୀ ବାଳା ?

କିଏ ସଖୀ ରୁକ୍ଷକେଶୀ, ପୁଷ୍କରିଣୀ ତୀରେ

ନିରିମାଖି ନାରୀ ସଙ୍ଗେ ଚାଲୁ ଧୀରେ ଧୀରେ ?

ଟାହୁଲି କରୁ କି ମୋତେ ସୁହାଗିନୀ ଯୋଷା,

ଫିଟିଛି କିପାଇଁ ତୋହେ କୁସୁମର ଖୋଷା ?

ଆହା ଆହା ନୁହେ କେହି, ମୋହରି ଏ ଛାଇ,

ଛି ଛି ରେ ପୋଡ଼ା ପରାଣ ମହତ୍ତ୍ୱ ତୋ ନାହିଁ !

ମୋର ବାପ ଭାଇ ମାଆ ଜନମ−କଂସେଇ,

ଅକାତ ପାଣିରେ ମୋତେ ଦେଲେ ଗୋ ଭସାଇ !

ନିଷ୍ଠୁର ସମାଜ ତୋର କି ଦୋଷ ମୁଁ କଲି,

ଏ ବୟସେ ଏ ବେଶକୁ କିପାଁ ମୁଁ ବହିଲି ?

 

ବ୍ୟର୍ଥପ୍ରଣୟ

‘Ah! Why was love to mortals given?

‘To lift them to the heights of heaven,

‘Or dash them to the depths of hell?

‘Yet I do not reproach thee dear!’

P. B. Shelley.

 

 

କିପାଁ ଆଉ ଦିଅ ଦେଖା             ମୋ ପ୍ରାଣ−ରମଣ ?

ବିସ୍ମୃତି−ଗରଭେ ସବୁ ଦିଅ ବିସର୍ଜନ ।

ଦେଖି ତବ ମଧୁମୁଖ             ହୁଏ ମୋ ଦାରୁଣ ଦୁଃଖ,

ପୋଡ଼ିସାଏ ପ୍ରାଣ ଦେଖି ସେ ରମ୍ୟ ନୟନ ।

ଦେଖି ମୂରତି ମୋହନ             ହୁଅଇ ମନ ଉଚ୍ଛନ୍ନ,

ତରଳି ଯାଏ ସୁନ୍ଦର ! ନବୀନ ଯୌନବ ।

ଭାବେଁ ତେଜି ଏ ସଂସାର             ନିଦାରୁଣ କାରାଗାର

ଜୀବନ ଯୌବନ ମାନ କରେ ସମର୍ପଣ ।

ପଲକେ ସଲଜ୍ଜ ଭୟ             ଘୋଟେ ମୋ ପରାଣମୟ

ଗୃହକୋଣେ ଯାଏଁ ଚାଲି ରହେଁ ମାରି ମନ ।

ନିତ୍ୟକର୍ମେ ଦେଇ ମନ             ରୋଧେ ଉନ୍ମତ୍ତ ଯୌବନ

ପୁଣି କିପାଁ ଦିଅ ଦେଖା ହେ ମନମୋହନ ?

ଦାରୁଣ ସଂସାର−ନୀତି,             ଦାରୁଣ ପୀରତି−ରୀତି,

ଏ ଜୀବନେ ତୁମ୍ଭ ମୋର ନୋହିବ ମିଳନ !

 

ପଲ୍ଲୀପଥ

ଶୀତଶେଷେ ଗ୍ରାମବଧୂଗଣ

କରି ପ୍ରାତଃସ୍ନାନ ସମାପନ

ଥର ଥର ଦଶନରେ       ତୁନି ତୁନି ନିସ୍ୱନରେ

ଦୁଃଖ ସୁଖ କହି ଆସୁଥିଲେ ବାଳାଗଣ,

ବହୁଥିଲା ମୋ କର୍ଣ୍ଣେ ସେ ସ୍ୱନ ସମୀରଣ ।

 

ଏ ସମୟେ ତେଜି ନିଦ୍ରାଶୟ

ଶୂନ୍ୟପ୍ରାଣେ ଛାଡ଼ିଲି ନିଳୟ

ବିଚରା ଅବା ଭ୍ରମଣେ       ଶାନ୍ତି ବିରାଜିବ ମନେ;

ଦେଖିଲି ଗଗନପଥେ ସୁରବଧୂ ଉଷା

ପିନ୍ଧି ହୋଇଅଛି ଉଭା ଚାରୁ ଶୁକ୍ଳଭୂଷା ।

 

ଉଷାସମ ଗ୍ରାମପଥେ କିଏ ?

ଏକୁଟିଆ ନବବଧୂଟିଏ

ଥରୁଥରୁ ହୁଏ ଜାଡ଼େ       ପଥୁ ଘୁଞ୍ଚି ହୁଏ ଆଡ଼େ !

ମୁଁ ଆଡ଼ ହୁଅନ୍ତେ ପାଦେ ବାଜି ଲାଜକୁଳୀ

ବ୍ରୀଡ଼ାବତୀ ସେ ବ୍ରତତୀ ପଡ଼ିଲା ଝାଉଁଳି !

 

ଅଳପ ଅଳପ ପଡ଼ି ଖରା

ଅପରୂପ ଶୋଭାବତୀ ଧରା,

ବସିଣ ବାଡ଼ି ଭିତରେ       ନାରୀଏ ହୃଶ୍ଟଚିତ୍ତରେ

ସେବୁଥିଲେ ପ୍ରାଚୀପୃଷ୍ଠା ହୋଇ ରବିକର,

ଅଳପ−ଉତ୍ତାପ ଯୋଗୁଁ ତନୁ ଥରଥର ।

 

ଆହା କିଏ ଏସନକ କାଳେ

ଘନସାନ୍ଦ୍ର ତମାଳର ଡାଳେ

ଚିରପରିଚିତ ସ୍ୱନେ             ସୁଦୁର୍ଲ୍ଲଭ ଯୁଗ୍ମବର୍ଣ୍ଣେ

ସୁଧାସ୍ୱନେ ଡାକେ ଆସି ନବୀନ ଅତିଥି ?

କାଳ−ବାରିଧିରେ ବର୍ଷେ ଯାଇଅଛି ବିତ !

 

କାହିଁ ଥିଲୁ ବର୍ଷେ ପରଭୁତ,

କିମ୍ପା ରାବୁ ରେ ବସନ୍ତଦୂତ !

କେତେ ସୁଖ ଦୁଃଖ ବିତି       ଯାଇଅଛି ନିତି ନିତି,

ସ୍ମୃତି ତାର ଦିଗନ୍ତରେ ଲୁଚି ରହିଥିଲା,

ତୋ ସ୍ୱନ ଶୁଣନ୍ତେ ଆହା ବିଭାସି ଉଠିଲା !

 

ହୋମ−ଅଙ୍ଗା ନୀଳକୋଶୀଗଣ

ଚମକିଣ ଡେରିଲେ ଶ୍ରବଣ,

ଶୁଣି ଅପରୂପ ଗାନ       ଆବେଶେ ବିହ୍ୱଳପ୍ରାଣ

ଚଞ୍ଚଳିତ ହେମ−ଅଙ୍ଗେ ଉଚ୍ଛୁଳି ପଡ଼ିଲା,

ସୃଷ୍ଟି−ପଟେ ଚାରୁ ଚିତ୍ର କିଏ ସେ ଆଙ୍କିଲା ?

 

ଗ୍ରୀଷ୍ମ

-୧-

କାଳେ ଋତୁରାଜ ବସନ୍ତ ତେଜି ଯାଆନ୍ତେ ଧରା,

ଦୁର୍ଦ୍ଦାନ୍ତ ଗତିରେ ଅଇଲା ମାଡ଼ି ଦାରୁଣ ଖରା ।

କ୍ରମେ ପିକ−କୁହୁ−ଶବଦ ଅନ୍ତର୍ହିତ ହୋଇଲା,

ଦିଗ ଅନ୍ତରାଳୁ ଝିଙ୍କାରୀ ରହି ରହି ରାବିଲା ।

 

ବହିଲା ରୁଧିର−ଶୋଷଣକାରୀ ତପ୍ତ ପବନ,

ବିରଳ ପଲ୍ଲବ ହୋଇଲେ ଲତା ବିଟପିଗଣ ।

ମଧ୍ୟାହ୍ନେ ସୁନ୍ଦର ସୈକତେ ସୁବିସ୍ତୀର୍ଣ୍ଣ ପ୍ରାନ୍ତରେ

ଗହୀର ବିଲରେ ପାଟରେ ନଦୀଶଯ୍ୟା ଉପରେ

 

ବହେ ତପ୍ତ ବାୟୁ ନାଚଇ ମରୀଚିକାର ଜଳ,

ଦେଖି ଧାଏଁ ଯେବେ ତୃଷାର୍ତ୍ତ ହୁଏ ଆଶା ବିଫଳ !

ଡାକି କହେ ଶୂନ୍ୟେ ବୈରାଗୀ

“ଆରେ ରେ ମୁଗ୍‌ଧ ମନ ।

ଭବେ ମୋହ ମୃଗତୃଷ୍ଣିକା ଆଶା ତପ୍ତ ପବନ ।

 

ଜୀବନ−ନିଦାଘ−ମଧ୍ୟାହ୍ନେ ଏସନେହିଁ ଦିଶନ୍ତି,

ହେଳେ ମୋହ−ମୁଗ୍‌ଧ ମାନବେ ପ୍ରବଞ୍ଚନା କରନ୍ତି ।”

 

-୨-

“ଲୁଚୁକାଳୀ” ଖେଳ ଖେଳନ୍ତି ଶିଶୁଗଣ ପ୍ରଦୋଷେ,

ଲୁଚକାଳୀ କିବା ଖେଳନ୍ତି ମେଘମାନେ ଆକାଶେ ?

ଠାବେ ଠାବେ ବସି ବୟସୀ ଗାଉଛନ୍ତି ଭଜନ,

କେଉଁଠାରେ କିଏ ଜଳ୍ପୁଛି ‘ବତ୍ରିଶସିଂହାସନ’।

 

କିଏ କେଉଁଠାରେ ଗାଉଛି ‘କାନ୍ତକୋଇଲିଗୀତ’,

‘ବୀରସିଂହ ଚଉତିଶା’ କାହିଁ ମୋହୁଛି ଚିତ୍ତ ।

କୋଡ଼ି କୋଡ଼ି ଦିଶେ ଆକାଶେ ଧଳା ବଉଦପନ୍ତି,

ବୈଦିକ ଋଷିଏ ମରି କି ସ୍ୱର୍ଗେ ଚାଷ କରନ୍ତି ?

 

‘ବଡ଼ଦାଣ୍ଡ’ ପରି ଦିଶଇ ‘ଖରାଦାଣ୍ଡି’ ଗଗନେ,

ଅମୃତ−ଭାର କି ବହନ୍ତି ତହିଁ ଦେବତାଗଣେ ?

ଧଳା କଳା ନୀଳ ବଉଦେ ଟପି ଯାପନ୍ତି ‘ସ୍ୱର୍ଗ’,

ଜୀବନେ ଯେସନ ଆତ୍ମାକୁ ଟପେ ଘଟନାବର୍ଗ ।

 

କ୍ଷଣେ ଦିଶେ ଜହ୍ନ କ୍ଷଣକେ ହୁଏ ମେଘେ ଆଚ୍ଛନ୍ନ,

ଏହିପରି ସିନା ବିଷାଦ−ହର୍ଷେ ପୂର୍ଣ୍ଣ ଜୀବନ ।

 

-୩-

ନିଶିରେ ଆକାଶ ଦିଶଇ କେବେ ସୁନୀଳବର୍ଣ୍ଣ,

ତହିଁ ମିଟିମିଟି ଅନାନ୍ତି ତୋରା ତାରକାଗଣ ।

ବିଗତ ଜୀବନ ସୁକୃତିଚକ୍ଷୁ ପରା ଏମାନେ,

ହେଳେ ଜନରବ ଏ ବାର୍ତ୍ତା କହିଦିଏ ମୋ କାନେ ।

 

ପ୍ରିୟାବକ୍ଷେ ଲେପି କର୍ପୂର ବେଣାଚେର ଚନ୍ଦନ

ଗଳେ ମଲ୍ଲୀହାର ଲମ୍ବାନ୍ତି ପଲ୍ଲୀ−ରସିକଗଣ ।

ପରସ୍ପର−ହସ୍ତୁଁ ବିଞ୍ଚଣା ଛଡ଼ାଛଡ଼ି ହୁଅନ୍ତି,

ଜେତା ବିଞ୍ଚି କିବା ଉଡ଼ାଏ ପ୍ରେମ−ବଇଜୟନ୍ତୀ ?

 

ଆଳାପେ ରଜନୀ କଟାନ୍ତି କାନ୍ତକାନ୍ତା ଉନ୍ନିଦ୍ର,

ଯାମିନୀ−ପାହାନ୍ତା−ପ୍ରହରେ ମାଡ଼ି ଆସଇ ନିଦ ।

କାନ୍ତକୋଳେ ସୁପ୍ତା ନବୀନା, ବହେ ଖର ନିଶ୍ୱାସ,

ପୃଥୁଳ କନକ−ଉରସୁ ଖସି ଯାଇଛି ବାସ,

 

ଘନ କୃଷ୍ଣକେଶ କମ୍ପାଏ ମୃଦୁ ମନ୍ଦ ପବନ,

ସୁଖ−ସ୍ୱପ୍ନେ ବାଳା ଗୋଲାପୀ ଓଷ୍ଠ ହୁଏ କମ୍ପନ;

ଅନନ୍ତ−ଅଙ୍କରେ ସୁଷୁପ୍ତା ବାତ ବିକ୍ଷୁବ୍‌ଧ ଧରା,

ଉଭା ଅଭ୍ରଭେଦୀ ତୁଙ୍ଗାଦ୍ରି, ନାହିଁ ବାସର ଖରା,

 

ନଭେଁ ଆନ୍ଦୋଳିତ ହୁଅନ୍ତି କୃଷ୍ଣବାରିଦଗଣେ,

ଧୀରେ ମହୀରୁହେ ସ୍ପନ୍ଦିତ ନିଶାନ୍ତର ପବନେ ।

 

ଏକାଟିଆ ଚଷା ଗୀତ

-୧-

ଦେଖୁଁ ଦେଖୁଁ ମାଡ଼ି ଆସେ ଘନ ବରଷା,

ବିଲକାମ ସାରି ଚାଲି ଗଲେଣି ଚଷା

ଗଗନେ ଗରଜେ ଘନ,

ବହଇ ଖର ପବନ,

ଘୋର ରଡ଼ ଘଡ଼ଘଡ଼ି ଉଡ଼େ ଭରସା,

ଦେଖୁଁ ଦେଖୁଁ ମାଡ଼ି ଆସେ ଘନ ବରଷା ।

 

-୨-

ନିଛାଟିଆ ପାଟବିଲ ମାଡ଼ଇ ଡର,

ଠକ ଠକ ପଡେ ମୁଣ୍ଡେ ସ୍ୱର୍ଗପଥର,

ଚଉଦିଗ ଚକ ଚକ

ଦିଶେ ବିଜୁଳି ଚମକ,

ଗିରିବନେ ଗରଜନ୍ତି ଲତାପତର;

ଗହ ଗହ ପାଟବିଲ, ମାଡ଼ଇ ଡର ।

 

-୩-

ଏକାଟିଆ ଚଷା ମୁହିଁ ସାହା ମୋ ନାହିଁ,

ସାଥୀ ଚଷାମାନେ ମୋତେ କରନ୍ତି ଟାହି,

ନବୀନ−ବରଷାକାଳେ

ଡାକଇ ଡାହୁକେ ଡାଳେ,

ନ ଛାଡିଲେ ପ୍ରେୟସୀକୁ ତା ବାପ ଭାଇ,

ଏକାଟିଆ ଚଷା ମୁହିଁ ସାହା ମୋ ନାହିଁ ।

 

-୪-

ନୀଳ ଆକାଶରେ ଦିଶେ କଳା ବଉଦ,

ଗହୀର ବିଲ−ମଝିରେ ବେଣାର କୁଦ

ଆକାଶ ତାଙ୍କଇ ଘନ,

ବହଇ ଖର ପବନ,

ଇନ୍ଦ୍ରନୀଳମଣିବର୍ଣ୍ଣ ଦେବ−ସଉଧ

ନୀଳ−ଆକାଶରେ ଦିଶେ କଳା ବଉଦ ।

 

-୫-

ପର୍ବତଶିଖରେ ମେଘ ଚରଇ ଲଟା,

ନଈକୂଳେ ହୁଏ ଧାନ କିଆରୀ କଟା,

ଦୁଇ କୂଳ ଖାଇ ନଈ

ଯାଏ କେଉଁ ଦେଶେ ବହି,

ଘୋର ବରଷାର ଆଜି କି ଘନଘଟା ।

ପର୍ବତ ଶିଖରେ ମେଘ ଚରୁଛି ଲଟା ।

 

-୬-

ଯାଏ ସିନ୍ଧୁପାଶେ ମତ୍ତ ଯୌବନ ଭରା

ଦୁଇ କୂଳ ଖାଇ ନଈ ଖସେ ଅତରା,

ଏ ବୟସେ ସେ ଯୁବତୀ

ନାହିଁ ଯାହା ମୋର କତି !

ଉଦ୍ଦାମ ଯୌବନେ ଧନୀ ସେ ଦେଶୁଁ ପରା

ଆସେ ମୋର ପାଶେ ମତ୍ତ ଯୌବନଭରା ।

 

-୭-

ଆକାଶେ ଦିଶଇ ମେଘ କଳାହାଣ୍ଡିଆ,

ସେପାରିରେ ଡାକେ କିଏ ହୋଇଣ ଠିଆ ?

ଦୂର ଦେଶର ବାଟୋଇ,

ନାହିଁ ମୋର ସାଥୀ କେହି,

ନାବ ବହି ଆଣ ବେଗେ ଏ ନାଉରିଆ ।

ଆକାଶେ ଦିଶଇ ମେଘ କଳାହାଣ୍ଡିଆ ।

 

-୮-

କେତେ ଗୀତ ଗାଉ ଆରେ ନାଉରୀ ଭାଇ !

ତୁରିତେ ଏ ପାରି ନାବ ଆଣ ତୁ ବାଇ ।

ଝର ଝର ଝରେ ନୀର,

କଳ କଳ ନଦୀତୀର,

ମାଡ଼ି ଆସୁଛି ଅନ୍ଧାର ବେଳ ତ ନାହିଁ,

ବାଇ ଆଣ ବେଗେ ନାବ ନାଉରୀ ଭାଇ ।

 

ଅର୍ଜୁନୋର୍ବଶୀ

ସୁନାଶିର−ଚର−ଚିତ୍ରସେନ ଗିର କହିଲା “ଉର୍ବଶି !

ଆଦେଶ କୁଳଶୀ ଶୁଣ ଗୋ ସୁକେଶି−ପୁରୁବଂଶ ଶଶୀ

କିରୀଟୀ ନିର୍ଜନେ ନନ୍ଦନକାନନେ ଏକାକୀ ବିଦେଶୀ,

ଯାଇଁ ପାର୍ଥ−ପାଶ ସୁରସରେ ରସ ଶୋଭାଙ୍ଗୀ ସୁକେଶୀ-”

 

ଶୁଣି ଦୂତଠାରୁ ଉର୍ବଶୀ ରମ୍ଭୋରୁ ବାଞ୍ଛିତ ବାରତା

ବିଧିଶିଳ୍ପସୀମା ସୁତନୁମଧ୍ୟମା ତନୁବେଶରତା

ଚୁମ୍ବିଛି ଚରଣ ଘନ−ନୀଳବର୍ଣ୍ଣ−କୁଞ୍ଚିତ ଚିକୁର,

କରିଛି ଆଚ୍ଛନ୍ନ ନିତମ୍ବ ଜଘନ ଉରୁ ନିବୀ ଉର ।

 

ବିକଚନୀଳାବ୍‌ଜ−ପଳାଶ−ଶଙ୍କାଶ ବେନି ଲୋଚନରୁ

ବରଷୁଛି ଆଭା, ଇନ୍ଦୁ ହୀନପ୍ରଭା, ଲୋଳ ଭୁରୁ ସରୁ ।

ଶୁଭ୍ରକମ୍ବୁକଣ୍ଠୀ ଉଦ୍‌ଗ୍ରୀବଉତ୍କଣ୍ଠୀ ପ୍ରଣୟିଦର୍ଶନେ,

ଚାହିଁଣ ମୁକୁରେ ନିଜ ଲାବଣ୍ୟରେ ବିଜେ ସୁଗମନେ ।

 

ବେନି ପୀନସ୍ତନ ମୃଦୁ ନିଷ୍ପନ୍ଦନ ବିଲୋକ ଚଳନେ,

ଚଳିତ ଚରଣ ବିପଥେ ପତନ ଚଞ୍ଚଳିତ ମନେ ।

ପୃଥୁନିତମ୍ବିନୀ ପୀନ ପୟସ୍ୱିନୀ ସୁଦନ୍ତୀ ରମ୍ଭୋରୁ

ଚମ୍ପିକବରଣା କମଳ ଲୋଚନା ସୁକେଶୀ ଲୋଳଭ୍ରୁ ।

 

ପ୍ରିୟ−ଅଭିସାରେ−ପ୍ରଣୟ ଆଶାରେ ତ୍ରିଦଶସୁନ୍ଦରୀ

ଜ୍ଞାତ ସ୍ୱର୍ଗପଥେ ଚଳିଲା ଅଜ୍ଞାତେ ଅତିକ୍ରମ କରି ।

ତ୍ରିଦିବଭୁବନେ ନନ୍ଦନକାନନେ ପୂର୍ଣ୍ଣେନ୍ଦୁକିରଣ,

ପାରିଜାତତରୁସୁରଭିବନରୁ ବହଇ ପବନ ।

 

ଚନ୍ଦ୍ରିକାସାଗରେ ପ୍ରଫୁଲ୍ଲ ମନରେ ଚକୋରୀ ଚକୋର

ପ୍ରଣୟ−ସଙ୍ଗୀତେ ନିମଜ୍ଜାଇ ଚିତ୍ତେ ତନ୍ମୟ ବିଭୋର ।

ନିସ୍ତବ୍‌ଧ ସକଳ ମନ୍ଦାକିନୀ−ଜଳ ବୀଚିକଳକଳ,

ତଥିପରେ ପଡ଼ି ଉଜ୍ଜ୍ୱଳ କୌମୁଦୀ ବିଲୋକ ଚଞ୍ଚଳ ।

 

ପ୍ରଳମ୍ବକୁନ୍ତଳା ଅପ୍‌ସରାଲଲାମ ତ୍ରିଦିବ ସୁନ୍ଦରୀ

ପଥ ଅତିକ୍ରମି ଯାଏ ଚାଳି ଦିଶ କଲ୍ଲୋଳିତ କରି ।

ଅମରୀ−ସୁଲଭ−ଆଭାରେ କୌମୁଦୀ ହୁଏ ଆଲୋକିତ,

ସୁଧାମଦେ ନେତ୍ର ଲୋହିତ, କକୁଭ ଗନ୍ଧେ ଆମୋଦିତ

 

ସୁରସୁନ୍ଦରୀର ବିଭା ନୟନର ଯେ ସ୍ଥାନେ ପଡ଼ଇ,

ସ୍ୱର୍ଗଲକ୍ଷ୍ମୀ ତହିଁ ଷୋଳକଳା ଘେନି ଉନ୍ମତ୍ତେ ତ୍ରୀଡ଼ଇ ।

ମାନସ−ଜଳଧି−ବେଳା−ଭୂମି ବଳି ଭାବ ଊର୍ମିରାଶି

ତ୍ରିଦିବ ନିଶୀର୍ଥ−ନିସ୍ତବ୍‌ଧଗଗନେ ଲୀନ ହୁଏ ଆସି ।

 

ମୃଦୁପଦଚାରେ ଝଣଝଣତ୍‌କାରେ ସତୃଷ୍ଣେ ସନ୍ତ୍ରାସେ

ଉଭା ଚାରୁଶୀଳା କଳାବତୀ ବାଳା ପାର୍ଥବାସ−ପାଶେ ।

ରତ୍ନସିଂହାସନେ ନିଃଶଦ୍ଦେ ନିର୍ଜନେ ମଧ୍ୟମପାମଣ୍ଡବ

ଉପବିଷ୍ଟ; ପ୍ରାଣେ କୌରବ କପଟୀ ଘଟାଏ ତାଣ୍ଡବ ।

 

ତେଜି ମର୍ତ୍ତ୍ୟପୁର ସୁଚିର ସୁଦୂର ସ୍ୱର୍ଗପୁରେ ଆସି

ହୋଇଛନ୍ତି ବୀର ତରୁଣକିଶୋର ବିରହପ୍ରବାସୀ ।

ମୃଦୁପଦେ ଚଳି ଅପ୍‌ସରାମଉଳି ସ୍ନିଗ୍‌ଧେ ଉଭା ପାଶେ,

ଅନନ୍ତଯୌବନ−ତ୍ରିଦଶ−ଇପ୍‌ସିତ−ତନୁ−ଦାନ−ଆଶେ ।

 

ସମ୍ଭ୍ରମେ ଆସନ ତେଜି ସବ୍ୟସାଚି ଦେଖାଇ ସମ୍ମାନ

କହନ୍ତି ବିନୟେ, “ହେ ସରସୁନ୍ଦରି ! ଆଜ୍ଞା କର ଦାନ ।”

ଚପଳା ଚଞ୍ଚଳା ଆୟତନୟନା ଅନନ୍ତଯୌବନା

ବରାଗେହା ଶ୍ୟାମା ରମ୍ଭୋରୁ ସୁତନ୍ୱୀ ବିଦ୍ୟୁତବରଣା ।

 

କହେ ସୁରବାମା ଡମ୍ବରୁମଧ୍ୟମା, “ତରୁଣ ସୁନ୍ଦର !

ଜୀବନ ଯୌବନ ତନୁ ପ୍ରାଣ ମନ ଅପଲି ମୋହର ।”

ଅଞ୍ଜଳି ଫିଟାଇ କର୍ଣ୍ଣେ ହସ୍ତ ଦେଇ କହନ୍ତି ପୌରବ:-

“କୁରୁକୁଳମାତଃ−ପ୍ରଣମେ, ନ ଲଙ୍ଘ ବଂଶର ଗୌରବ ।

 

ପୁରୁରବାପ୍ରିୟା ପୌରବଜନୀନ ତୁମ୍ଭେ ଆଗୋ ମାତାଃ !”

ସ୍ତମ୍ଭିତା, ମୂଚ୍ଛତା, ପତିତା ଉର୍ବଶୀ ବୋଲି ‘ଆହା ନାଥ !’

ଚେତନା ପାଇଣ କହେ ସୁରଯୋଷା, “ତେବେ କିସ ପାଇଁ

ଦେବ−ସଭା−ନତ୍ୟେ ଥିଲ ମୋହ ଅଙ୍ଗେ ସତୃଷ୍ଣେ ଅନାଇ ?”

 

କହନ୍ତି ଫାଲ ଗୁନୀ, “ପୌରବ−ଜନନୀ ଏହି ସୁଲକ୍ଷଣୀ-

ଏହା ମନେ କରି ପୂତନେତ୍ରେ ଚାହିଁଥିଲି ଗୋ ଜନନୀ !

ଦଶଦିଗପାଳ ବ୍ରହ୍ମର୍ଷିମଣ୍ଡଳ ଶୁଣନ୍ତୁ ତ୍ରିଦଶ-

ବ୍ରହ୍ମଚର୍ଯ୍ୟବ୍ରତୀ ଅର୍ଜ୍ଜୁନ ଉର୍ବଶୀ ନ କରିବ ସ୍ପର୍ଶ ।”

 

କହେ କାମମୀଗ୍‌ଧା−ବାମାସ୍ନିଗଧନେନ୍ତ୍ରା, “ତୁମ୍ଭ ସେ ଦର୍ଶନେ

ମନୋଭବ−ଇଷୁ କଲା ଜର୍ଜ୍ଜରିତ ମୋର ପ୍ରାଣମନେ ।

ଏବେ ନିଦାରୁଣ କଳ ପ୍ରତ୍ୟାଖ୍ୟାନ, ଶୁଣ ମୋର ବାଣୀ

ଦେଲି ଅଭିଶାପ ତେଜି ପୁରୁଷତ୍ତ୍ୱ ହୋଇବ ରମଣୀ ।”

 

“ପୁଣ୍ୟପୁରସ୍କାର୍ତ୍ତା ପାପଦଣ୍ଡଦାତା ଅଛନ୍ତି ବିଧାତା,

ଆଶୀର୍ବାଦ କରି ଅଧମ ସନ୍ତାନେ ଯାଅ ଫେରି ମାତା ।”

 

ସପତ୍ନୀ

ଇନ୍ଦ୍ରପ୍ରସ୍ଥ ଆଜି ଯାଇଛି ମୁଦ−ସମୁଦ୍ରେ ବୁଡ଼ି,

ଦୀର୍ଘ ବନବାସୁଁ କିରୀଟା ଆସିଛନ୍ତି ବାହୁଡ଼ି ।

ଧର୍ମ−ଅର୍ଥେ ସତ୍ୟ ଲଙ୍ଘିଣ ବୀର ପୃଥାନନ୍ଦନ

ରାଜ୍ୟ ଗୃହ ତେଜି ଗମିଣ ଥିଲେ ଗହନ ବନ ।

 

ନାନା ତୀର୍ଥ ଅଧ୍ୱ ଅଟବୀ ନଗ ନଗରୀ ଭ୍ରମି

କେତେ କାଳ ପୁଣି ଗମିଲେ ତୀର୍ଥ−ପ୍ରଭାସେ ରମି ।

ଶ୍ରୀକୃଷ୍ଣ−ସଙ୍ଗତେ କ୍ରୀଡ଼ିଲେ ରୈବତକ ପର୍ବତେ,

ଛଟକେ ହରିଣ ସୁଭଦ୍ରା ବସାଇଲେ ସ୍ୱରଥେ ।

 

ପୁଷ୍ପରାଦି ତୀର୍ଥ ଭ୍ରମିଣ ଇନ୍ଦ୍ରପ୍ରସ୍ଥେ ମିଳିଲେ,

ଗୁରୁଜନ−ପଦେ ପ୍ରଣମି କୃଷ୍ଣା ପାଶେ ଗମିଲେ ।

ପତି ମୁଖ ଚାହିଁ କହନ୍ତି ଦୁଃଖେ ଦ୍ରୁପଦ କନ୍ୟା,

“ଆଉ କାହିଁପାଇଁ ଏଠାରେ ଆହେ ଗାଣ୍ଡୀବଧନ୍ୱା!

 

ଛୁଅଁ ନା ଛୁଅଁ ନା ଅର୍ଜ୍ଜୁନ, ଆଉ ମୋ ଅପଘନ,

ଅନ୍ୟନାରୀ ସହ ହୋଇଛି ତୁମ୍ଭ ପାଣି−ପୀଡ଼ନ ।

ଯାଅ ନବକାନ୍ତା ସୁଭଦ୍ରା−ପ୍ରେମ ସମ୍ଭୋଗି ସୁଖେ

ସୁଖାର୍ଣ୍ଣବେ ସଦା ଭାସିବ ମୋତେ ନିହିଣ ଦୁଃଖେ ।

 

ପୁରାଣ ନିର୍ବଳ ପାଶରେ ବଦ୍ଧ ଯେଉଁ ପଦାର୍ଥ,

ନବପାଶେ ଦୃଢ଼େ ବାନ୍ଧିଲେ ତାହା କି ହୁଏ ପାର୍ଥ ?

ନବ ଯୁବତୀର ପ୍ରୀତିରେ ବଦ୍ଧ ତୁମ୍ଭ ହୃଦୟ,

ନିଶ୍ଚୟ ନିଷ୍ଠୁର ! ପାସୋରି ଅଛ ପୂର୍ବ ପ୍ରଣୟ ।

 

ସଜଫୁଲ ପାଇ ମଧୁପ ବାସିଫୁଲେ କି ରସେ,

ସୁଭଦ୍ରାକୁ ଛାଡ଼ି ଆଉ କି ରହି ପାର ମୋ ପାଶେ ?

ହେ ନବରସିକ, ପ୍ରଣୟ−କଥା ପଛେ ଭୁଲିବ,

ପରିଣୟ କଥା ହୃଦୟୁଁ ପୋଛି ନ ପକାଇବ ।

 

ଯେଉଁ ରୂପେ ମୋତେ କିରାଟୀ ! ଲକ୍ଷ୍ୟ ଭେଦି ଜିଣିଲ,

କି ନିର୍ଦ୍ଦୟୁପ୍ରାଣେ ପ୍ରାଣେଶ । ହେଲେ ତା ବିସୋରିଲ ?

ବିପ୍ରବେଶଧାରୀ ତୁମ୍ଭର ଉତ୍ତରୀୟ−ଧାରଣେ

ଅନୁସରିଥିବା ଘଟନା ରଖି ଥିବ ସ୍ମରଣେ ।

 

ପଦତଳେ ତବ ଶୋଇଲି ମୋର ପିତୃନଗରେ

ଭସ୍ମାବଲୁଣ୍ଠିତା ହୋଇଣ ସେହି କୁରାଳ ଘରେ ।

ହେମ ଇନ୍ଦ୍ରକୋଷ ବରଜି ଧରା ତଳେ ଶୋଇଲି,

ତୁମ୍ଭ ପାଇଁ ସିନା ଅର୍ଜ୍ଜୁନ, ପଞ୍ଚ ପତି ବରଲି !

 

ଏକରୂପେ ପାଞ୍ଚଭାଇଙ୍କୁ ଏକଭାବେ ଦେଖଇଁ,

ବୀର ! ତୁମ୍ଭ ପ୍ରତି ଦୁର୍ବଳ ଚିତ୍ତ ବଳେ ଧାବଇ ।

ଅତୀବ ଦାରୁଣ ହୃଦୟ ସଖା, ଅଟେ ତୁମ୍ଭର,

କି ଦୋଷେ ଦ଼ାସୀକି ତେଜିଲ ଆହେ ପ୍ରେମିକବର ?

 

ସୌଭାଗ୍ୟବତୀ ସେ ସୁଭଦ୍ରା ଧନ୍ୟ ଧନ୍ୟ ଅଙ୍ଗନା !

ବଳେ ଧନୁର୍ଦ୍ଧାରୀ ବୀରଙ୍କ ହେଲା ଅଙ୍କ−ଶୟନା ।

କେମନ୍ତେ ସହିବି ଏ ଦୁଃଖ ଆହେ ପରାଣ−ସାଇ ?

ପ୍ରାଣ ରଖି ଯାହା ଦେଲ ହେ ଦୁଃଖାର୍ଣ୍ଣବେ ଭସାଇ !

 

ମନେ କରିଥିଲି ଜୀବନେ ଯେଉଁ ଦୁଃଖ ପଡ଼ିବ,

ବୀର ଧନଞ୍ଜୟ କୃପାରୁ ପଲକରେ ତୁଟିବ ।

ଆଜି ଯେଉଁ କ୍ଳେଶ ଦେଲ ହେ ଦଗ୍‌ଧ ପ୍ରାଣେ ମୋହର,

ଶାନ୍ତି ନୀର କିଏ ସିଞ୍ଚିବ ଆହେ ସୁଭଦ୍ରାବର !”

 

ଦ୍ରୁପଦ−ଦୁଲଣୀ ଯାତନା ଦେଖି ଗାଣ୍ଡିବଧନ୍ୱା

କୋମଳ ବଚନେ ତାହାଙ୍କୁ ଦେଲେ ବହୁ ସାନ୍ତ୍ୱନା ।

ନିଜ ଉତ୍ତରୀୟେ ପୋଛିଣ ପ୍ରିୟା−ନୟନୁଁ ନୀର,

ଚମ୍ବି ଚିବୁକରେ ଭାଷିଲେ ପୃଥ୍ୱୀ−ପ୍ରଖ୍ୟାତ ବୀର ।

 

“ନିଜଗୁଣେ ଦେବୀ, କୃପାରେ କ୍ଷମ ଆପଣା ଜନେ,

ଚିରକାଳ ପୂଜା ପାଇବ ମୋର ହୃଦୟାସନେ ।

ତୁମ୍ଭ ପ୍ରତି ପ୍ରୀତି ସତୀ ଗୋ ! ଊଣା ନୋହିବ କେବେ

ପିଣ୍ଡେ ପ୍ରାଣ ଥାଉଁ ସେ ପ୍ରେମ ଭୁଲିବା କି ସମ୍ଭବେ ?”

 

ପାଶୁଁ ବୀର ପାର୍ଥ ଯାଆନ୍ତେ ଘୋର−ଦୁଃଖ−ତିମିର

ଘୋଟି ବିକ୍ଷୋଭିଲା ହୃଦୟ; ଚକ୍ଷୁ ଝରିଲା ନୀର ।

ନିମିଷ ମଧ୍ୟରେ ସୁଭଦ୍ରା ଯାଜ୍ଞସେନୀ−ପୟରେ

ଆସି ପ୍ରଣମିଲେ ସାଷ୍ଟାଙ୍ଗେ ଗୋପାଳୁଣୀ−ବେଶରେ ।

 

ସନମ୍ର କହନ୍ତି ସୁଭଦ୍ରା “ଦେବି ! ଦାସୀପଣରେ

“ଆସିଛି ରଖ ଗୋ ଅନ୍ୟଥା ନ ବିଚାରି ମନରେ ।”

ଆସୁନ ଉଠିଣ ନରେଶ - ଦ୍ରୁପଦର ଦୁଲଣା

ବୀରପତ୍ନୀ ବୀରଭଗ୍ନୀର କଲେ ସେ ଅଭ୍ୟର୍ଥନା ।

 

ସସ୍ନେହେ ଆଲିଙ୍ଗି ଅମଳ ଗଣ୍ଡେ ଦେଇ ଚୁମ୍ଭନ

ସପତ୍ନୀକୁ ନାରୀଲଲାମ ଦେଲେ ଆଶୀର୍ବଚନ,

“ଅସପତ୍ନ ହୋଇ ଦେବି ଗୋ, ଭୁଞ୍ଜ ସୁଖେ ସ୍ୱପତି;”

ସାନନ୍ଦେ ଭାସିଲେ ‘ତଥାସ୍ତୁ’ ବାଣୀ ସାତ୍ୱକୀ ସତୀ ।

 

ନିନ୍ଦୁକପ୍ରତି କବିର ନିବେଦନ

“I pray you mar no more of my verses

With reading them ill. Favouredly. ”

Shakespeare.

 

ଲାବଣ୍ୟ ସୁନ୍ଦର ଆହା ଧରା ସଂସାର !

ଦେଖି ଉଚ୍ଛୁଳି ଉଠେ ମୋ ଗୀତ ଭଣ୍ଡାର ।

ଛଳ ଛଳ ଢଳ ଢଳ ନାରୀ−ନୟନ

ଦେଖି ମୋ କବିତା−ପକ୍ଷୀ କରେ ଗାୟନ ।

 

ପୀରତି−ବୋଳା ତରୁଣୀ−କନକ−ବକ୍ଷ

ଦେଖି ମୋ କବିତା−ପକ୍ଷୀ ମୋଲାଏ ପକ୍ଷ ।

ହୃଦୟ−ଆବେଗ ରୋଧି ନ ପାରେଁ ଭାଇ,

ଭାବେ ଭୋଳ ହୋଇ ଗୀତ ଯାଏଁ ମୁଁ ଗାଇ ।

 

ସଂସାର−ତାପେ ତାପିତ ହେଲେ ମୋ ମନ

ହୃଦ ଫେଡ଼ି ଗୁଣୁଗୁଣୁ କରେ ଗାୟନ ।

ଜାଣନ୍ତି ପ୍ରମାଣେ ଦୋଷ ନାହିଁ ମୋ କିଛି,

ହଟ କରି କରୁ କିମ୍ପା ଇଙ୍ଗିତ ଛି ଛି !

 

ରଖିଦେ ରଖିଦେ ତୋର ଥଟ୍ଟା ନକଲ

ମୋ କାର୍ଯ୍ୟେ କଣ୍ଟକ ହେବା ନୁହେ ତୋ ଭଲ ।

କିପାଁ ବାଟ ଚାଲିଗଲେ ହସୁ କୋତଲ,

କିପାଁ ଥଣ୍ଡା ପାଣି ଢାଳୁ ଛଳାଇ ସଲ ?

 

ମୋ ଘର କରେ ମୁଁ ଭାଇ, ତୁହି ତୋ ଘର,

କିପାଇଁ ମନାସ କରୁ ମୋ ହରବର ?

ଛାଡ଼ିଦେ ଛାଡ଼ିଦେ ପଥ ସ୍ୱସ୍ଥାନେ ଯାଏଁ,

ମନସୁଖେ ମନ ଗୀତ ମୋର ମୁଁ ଗାଏଁ ।

 

ଜ୍ଞାନି ହେ ! ମୋ ଗୀତ ପଛେ ତୁମ୍ଭେ ନ ଶୁଣ,

ଗରଖାତର କର ନା ତା ପୁଣ ପୁଣ ।

ଗୀତ ଶୁଣି ହୁଏ ଯେବେ କିଞ୍ଚିତ ସୁଖ,

ଶୁଣିଲେ ଶୁଣନ୍ତୁ ପଛେ ମୂଲିଆ ମୂର୍ଖ ।

 

ଥିବ ଯେବେ ସେ ଗୀତରେ କିଞ୍ଚିତ ସାର,

ରଖିବ ତା ମନେ କିଛି ଦିନ ସଂସାର ।

ପ୍ରାଣୁଁ ପ୍ରାଣାନ୍ତରେ ହୋଇ ପ୍ରତିଧ୍ୱନିତ

ନୀରବେ ରଚିବ କାଳେ ଜାତୀୟ ଗୀତ ।

 

ମୂଲ୍ୟହୀନ ହୋଇଥିଲେ ଜାଣ ନିଶ୍ଚୟ,

ଜୀବନ−ଯୁଦ୍ଧରେ ଆପେ ହେବ ବିଳୟ ।

ବନ୍ଧୁର ପ୍ରଶଂସା କିବା ନିନ୍ଦା ତୁମ୍ଭର,

ଲାଭ କ୍ଷତି ନ କରିବ ତିଳେ ମାତର ।

 

କୁଟିଳ କଟାକ୍ଷେ କିମ୍ପା ହିଂସାରେ ଭାଇ

କଳୁଷିତ ହୁଅ ନିଜେ ଏଇଥିପାଇଁ ?

 

ସଫଳ ସ୍ୱପ୍ନ

ଶୈଶବ−ସୀମାନ୍ତେ ଯେବେ କରି ଧୂଳିଘର

କ୍ରୀଡ଼ାରେ ଆସକ୍ତ ଥିଲି ସାଥି−ସଙ୍ଗତର,

କେବଣ ଅଜ୍ଞାତଲୋତେ ଗୋ ସୁରସୁନ୍ଦରି,

ଦେଖିଥିଲି ସେ ଲାବଣ୍ୟ ବେନି ନେତ୍ର ଭରି !

 

ନୀଳନଭେ କୃଷ୍ଣଘନେ ଲୋଳ ସୌଦାମିନୀ-

ରୂପେ ଦେଖିଥିଲି ତୋତେ ଲୋ ରୂପଗବଣି !

ଶାରଦଚନ୍ଦ୍ରିକାଧୌତ ଅନ୍ତରୀକ୍ଷଦେଶେ

ବୁଲୁଥିଲୁ ବରାଙ୍ଗିରେ ! ଜ୍ୟୋସ୍ନାଶୁଭ୍ରବେଶେ ।

 

ଦେଖିଥିଲି ବରାନନେ ! ସେ ବିଧୁକିରଣେ

ତୋ ଅନିନ୍ଦ୍ୟ ମଧୁରିମା ଅପତୃପ୍ତନୟନେ ।

କାଳକ୍ରମେ ଆଗମିଲା ମଧୁର ଯୌବନ,

ଚହିଲା ହୃଦୟବନେ ଦକ୍ଷଣା ପବନ ।

 

କାହୁଁ ଉଡ଼ିଆସି ତୁ ରେ ବସନ୍ତକୋକିଳ !

ସେ ବନେ କଲୁ ତୋ ସ୍ୱନେ ଆନନ୍ଦ−ଆକୁଳ ?

 

ସ୍ରୋତ−ସଙ୍ଗମ

ଅଜ୍ଞାତ ପର୍ବତଗୁହା ଭେଦି ନିରୁଦ୍ଦେଶେ

ବିଭ୍ରମିଲି କେତେ କାଳ ଅଜ୍ଞାତ ବିଦେଶେ ।

ବହୁ ଦୂରେ ଜନ୍ମଗୁହା ହେଲା ଅନ୍ତର୍ହିତ,

ଉଦାସ ଉଦାସ ହେଲା ମୋର କ୍ଷୁଦ୍ର ଚିତ୍ତ ।

 

ଏମନ୍ତ ବହୁତ ପଥ ଯାଆନ୍ତେ ମୁଁ ବହି,

ସେ ଏକାକୀ ନିର୍ଜନତା ନ ପାରିଲି ସହି ।

କାଳକ୍ରମେ ଭେଟିଲି ମୁଁ ଏକଇ ନିର୍ଝର,

ଏତେ ଦିନେ ପାଇଲି ମୋ ପ୍ରାଣର ଦୋସର ।

 

ସେ ପ୍ରେମ−ନିର୍ଝରେ ପଶି ମୋ ଜୀବନ−ସ୍ରୋତ

ବିଶ୍ୱସଂସାରକୁ ଘୋଟିଗଲା ଓତଃପ୍ରୋତଃ ।

ସେ ନିର୍ଝର ସଙ୍ଗେ ହେଉଁ ଆତ୍ମବିସ୍ମରଣ,

ଉଦାର ସୁଦୀର୍ଘତର ହେଲା ପ୍ରାଣମନ ।

 

ସେହି ସ୍ରୋତ ଯାଏ ପୁଣି ଅନନ୍ତ ସାଗର,

ଯହିଁ ନର ପାସୋରଇ ଭେଦ ଆତ୍ମପର ।

 

ମଧୁଶଯ୍ୟା

“O hertfelt raptures bliss beyond

Compare!”

R.Burns.

“O blessed bond of board and bed!”

-Shakespeare

 

ଆବେଗେ ହୃଦୟ ପୂରିଛି, ଜଳଇ ଦୀପ;

ରଖା ଅଛି ହୋମ ନଡ଼ିଆ ଶଯ୍ୟା ସମୀପ ।

ଏମନ୍ତ ସମୟେ କିଏସେ ଚାଲଇ ବାଟ,

ରଣଝଣ ପଦକ୍ଷେପଣ, ଖୋଲେ କବାଟ ।

 

ପେଲିଦେଇ କିଏ କାହାକୁ, ପଦାରେ ଥାଇଁ ।

କହେ ଆଉଯାଇ କବାଟ, “ଫେରନ୍ତି ନାହିଁ ।

ବାସ−ଚନ୍ଦନରେ ମହକି ପଡ଼ୁଛି ହିଆ,

ଚରଣେ ଅଳତା; ସୁନ୍ଦରୀ କୋଣରେ ଠିଆ ।

 

କରେ କର ଧରି ନିଅନ୍ତେ ଲାଜେ ଯୁବତୀ

ଘର୍ମାଦ୍ର ‘ସକଳ ଶରୀର, କମ୍ପିତା ଅତି ।

ବିଶ୍ରମ୍ଭ−ଆଳାପେ ଗମନ୍ତେ କିଞ୍ଚିତ କାଳ;

ବିଶ୍ରାନ୍ତା ନବୀନା, ବହଇ ସରମ ଝାଳ ।

 

ମନେ କଲି ଅଙ୍ଗ ବିଞ୍ଚିବି, ଏବେ କି ହେଲା ।

ଟିପିଟିପି−ଟିପା ଶବଦ ଦ୍ୱାରେ କେ ଦେଲା ।

 

ତରୁଣୀତନୁ

“Beauty is truth, truth beauty.”

Keats

 

ଜ୍ଞାନ−ଆନନ୍ଦର ଦ୍ୱାର ପଞ୍ଚ−ଇନ୍ଦ୍ରିୟର

ନୟନ ଅଟଇ ନିଶ୍ଚେ ସାର ଶ୍ରେଷ୍ଠତର ।

ବର୍ଣ୍ଣ କିବା ଆକୃତିରେ ମନୋରମ ଅତି-

ଲୋଚନବିଷୟୀଭୂତ ଲାବଣ୍ୟ−ମୂରତି ।

 

ଶ୍ୟାମଳ କେଦାର, ଅବା ସୁନୀଳ ଗଗନ,

କୁସୁମ, ବିହଙ୍ଗ, ଚାରୁ ମାନବ−ଆନନ-

ସମସ୍ତ ସୁନ୍ଦର, କିନ୍ତୁ ତରୁଣୀର ତନୁ

ବାରେ ନିରେଖିଲେ ଆଉ ନ ପାସୋରେ ମନୁ ।

 

କି ପୀୟୁଷ ବିଶ୍ୱକର୍ମା ଢାଳିଅଛି ତହିଁ ।

ସେତିକି ସୁନ୍ଦର ଦିଶେ ଯେତେ ନିରେଖଇଁ ।

ତନୁର ଲାବଣ୍ୟ କି ଗୋ ହେୟ ଅତିଶୟ,

ସୁପ୍ତ ତହିଁ ପାପ−କାଳକୂଟ କାମମୟ ?

 

ଅଛି ରୂପ ଅପଚୟ; ନାହିଁ ତା କାହାର?

ତଥାପି ତରୁଣୀ−ଶୋଭା ସଂସାରେ ସୁସାର ।

ଅଛଇ ତହିଁରେ ଦିବ୍ୟପବିତ୍ରତା−ଛବି,

ସାକ୍ଷୀ ତାର ଜଗତର ସର୍ବଶ୍ରେଷ୍ଠ କବି ।

 

ନୟନର ଭାଷା

ନିବଦ୍ଧ ପାର୍ଥିବ−ଅର୍ଥେ ମାନବର ଭାଷା

ନ ପାରେ ପ୍ରକାଶି ପ୍ରାଣ ଅନ୍ତସ୍ଥଳ−ଆଶା ।

ନିତାନ୍ତ କୋମଳ ପ୍ରେମ ନିତାନ୍ତ ତରଳ,

ପ୍ରକାଶିବ ବାକ୍ୟ ତାହା କାହିଁ ତାର ବଳ !

 

ଅତି ସୁକ୍ଷ୍ମ ପ୍ରେମ, ତାହା ନ ସହଇ ଭାଷା,

ବାକ୍ୟପ୍ରକାଶିତ ପ୍ରେମେ ନ ମେଣ୍ଟାଇ ଆଶା ।

ମେଣ୍ଟାଇବା ଲାଗି ପ୍ରାଣ−ପ୍ରଣୟ ପିଆସା

କ୍ଷଣ ମାତ୍ର ପ୍ରଣୟିନୀ−ନୟନର ଭାଷା ।

 

ଚପଳାର ଆଭାଦୀପ୍ତ ପ୍ରିୟାର ଲୋଚନ

କିବା ଦିବ୍ୟସୁଧାସିକ୍ତ କରେ ପ୍ରିୟ ମନ ।

ନୟନେ ନୟନେ ହୁଏ କଥାବାର୍ତ୍ତା ଯାହା,

ପ୍ରଣୟୀଯୁଗଳଛଡ଼ା କେ ବୁଝିବ ତାହା ।

 

ପୀୟୁଷ ପ୍ରଣୟୀ−ନେତ୍ରୁଁ ପିଇଛି ଯେ ଜନ,

ଅର୍ଥବଦ୍ଧ ବାକ୍ୟେ ତାର ନ ମାନଇ ମନ ।

 

ମାନସୀମୂର୍ତ୍ତି

ଦୂରେ ଥାଅ ଇପ୍‌ସିତ ହେ ନ ଆସ ମୋ ପାଶ,

ମୋହ−ମରୀଚିକା ମୋର ନ କରି ବିନାଶ ।

ପାଦ୍ୟଅର୍ଘ୍ୟ ଦେଇ ସଦା ହେ ରମ୍ୟ ସୁନ୍ଦର ,

ସେ ବରେଣ୍ୟ ପ୍ରତିମାକୁ କରି ନମସ୍କାର ।

 

ପ୍ରାଣର ଗଭୀର ଦେଶେ କରିବି ମୁଁ ସ୍ତବ,

ଦେଖିବି ସେ ଚାରୁ ମୂର୍ତ୍ତି ଚିର ଅଭିନବ ।

ଦିଅ ନାହିଁ ଧରା ବନ୍ଧୁ ନ ଭାଙ୍ଗ ମୋ ମୋହ,

ନ ଘଟାଅ କ୍ଷୁଦ୍ର ପ୍ରାଣେ ଦାରୁଣ ବିଦ୍ରୋହ ।

 

ପରଶେ ମଳିନ ହୁଏ ବିକଳ ପ୍ରସୂନ,

ଅପସରି ଯାଏ ମାୟା ମରୀଚିକାପୂର୍ଣ୍ଣ ।

ଭକ୍ତି−ପୁଷ୍ପାଞ୍ଜଳି ଢାଳି ମୋ ମୁଗ୍‌ଧ ହୃଦୟ

ଦୂରରୁ ପ୍ରଣମୁ ସଖା ଶ୍ରୀଚରଣଦ୍ୱୟ ।

 

ଅପସାରି ମୋହ ମୃଗତୃଷ୍ଣିକା ଇପ୍‌ସିତ ।

ସେ ମଧୁର ସୁଖୁଁ ସଖା ନ କର ବଞ୍ଚିତ ।

 

ସ୍ମୃତି

“Tears, idle tears, I know not what theymean,

Tears form the depth of some divine dispair.

Rise in the heart and gather to the eyes,

In looking on the happy Autumn−fields,

And thinking of the days that are nomore.”

Tennyson.

 

ନିର୍ଜନେ ବୁଲୁଥିଲି ମୁଁ ଗହନ କାନନେ,

ଖେଳୁଥିଲା ତରୁତଳେ ଛାୟା ମନେ ମନେ ।

ଝରଝର ଝରୁଥିଲା ନିର୍ଝରୁ ଝରମା,

ଦିବ୍ୟଲୋକ ସମ ବନ ଯାଉଥିଲା ଜଣା ।

 

କୋକିଳ ପଞ୍ଚମେ ଦୂରେ କରୁଥିଲା ସ୍ୱନ,

ପୂର୍ବସ୍ମୃତି ବିଜଡ଼ିତ ହେଲା ମୋର ମନ ।

ରକ୍ତପଦ୍ମ ଫୁଟିଥିଲା ବନ ସରୋବରେ,

ରଥାଙ୍ଗମିଥୁନ ରମୁଥିଲେ ତା ତଟରେ ।

 

କଳସ୍ୱନେ ଗିରିନଦୀ ଯାଉଥିଲା ବହି,

ଲତାପୁଷ୍ପେ କମ୍ପୁଥିଲେ କ୍ଷଣେ ରହି ରହି ।

ହଳଦିବସନ୍ତ−ଶୁକ−ଶାରିକା−ଭରତ-

ସ୍ୱନେ ବନପ୍ରାଣ ହେଉଥିଲାକ ଉଷତ ।

 

ଏସନ ପ୍ରକୃତି−ଛବି ଦେଖି କିପାଁ ମନ

ଅତୀତସ୍ମୃତିରେ ଆହା ହୋଇଲା ବିଷର୍ଣ୍ଣ ।

 

ଉତ୍କଳଭାରତୀ

ଉତ୍କଳଭାରତୀ ଦେବି ! ସ୍ୱଭାବସୁନ୍ଦର !

ଭକତବାଞ୍ଛିତ ପୂର୍ଣ୍ଣ କର କୃପା କରି ।

ଘେନି ଯାଅ ମୋତେ ସେହି ଅତୀତ ନିକୁଞ୍ଜେ,

କବିତାକୁସୁମେ ଯହିଁ କବି ଅଳି ଗୁଞ୍ଜେ ।

 

ବିଦେହନନ୍ଦିନୀ ଯହିଁ ଅଶୋକବିପିନେ

ରାକ୍ଷସୀବେଷ୍ଟିତା ହୋଇ ବିଳାପନ୍ତି ଦୀନେ ।

ଅଥବ ଜାହ୍ନବୀତୀରେ ମୁନିତପୋବନେ

ଭାଳନ୍ତି ଦୋହଦବତୀ ଗହନ ଅରଣ୍ୟେ ।

 

ଅବା ଗିରିପତିସୁତା ଘୋରତିପୋରତ

ନିଦାଘ ଶିଶିର ବର୍ଷା କରନ୍ତି ବାହିତ ।

କିବା କଣ୍ୱ ତପୋବନେ ଶକୁନ୍ତଳା ସତୀ

ଦୃଷ୍ୟନ୍ତଭାବନା−ନୀରେ ବୁଡ଼ି ରହିଛନ୍ତି ।

 

ଅବା ଯହିଁ ଘୋରାରଣ୍ୟେ ତ୍ୟକ୍ତା ଦମୟନ୍ତୀ

ପ୍ରିୟତମ ନଳ−ନାମ ଉଚ୍ଚାରି କାନ୍ଦନ୍ତି ।

 

ସୀତା

ବିପୁଳ ଭାରତ ମଧ୍ୟେ କ୍ଷୁଦ୍ରା ଶ ବିଦେହେ

କ୍ଷୁଦ୍ରତର ରାଜପୁରେ କ୍ଷୁଦ୍ରତମ ଗେହେ

ଜନ୍ମିଥିଲ ଦୂର-ଅତି ଦୂର ଅତୀତରେ,

ପାରି ହେଲା ମହୀ କେତେ ଯୁଗଯୁଗାନ୍ତରେ ।

 

ମିଶିଗଲା କେତେ କଥା ବିସ୍ମୃତ−ଉଦରେ,

କେତେ ପୂର୍ବ କୀର୍ତ୍ତି ରାଜେ ଦିଗଦିଗନ୍ତରେ ।

ସତୀ ସାଧ୍ୱୀ ରାଜରାଣୀ ନାରୀଶିରୋମଣି

ଜନମ ଦୁଃଖିନୀ ମାତଃ ପଥଭିକାରିଣୀ ।

 

ଅପାର ଯନ୍ତ୍ରଣା ସହି ନୃପତି ଲଳନା

ଦେଶେ ଦେଶେ ଉଡ଼ାଇଛ କୀରତିର ବାନା ।

ନାରୀତ୍ୱର ସତୀତ୍ୱର ଗରିଷ୍ଠ ଆଦର୍ଶ

ସ୍ଥାପିଛ, କରିଛି ତାହା ଦେବଲୋକ ସ୍ପର୍ଶ ।

 

ଯାବତ ସତୀତ୍ୱ ଭବେ ପାଉଥିବ ପୂଜା

ସର୍ବାଗ୍ରେ ନମସ୍ୟା ସାଧ୍ୱୀ ବିଦେହତନୁଜା ।

 

ପାର୍ବତୀ

ଜନକନିଦେଶେ କଲ ହିମାଦ୍ରିତନୁଜା ।

ବିଭୂତିଲେପିତତପିଶିବପଦ−ପୂଜା ।

ତରଳାକ୍ଷ ! ପ୍ରତ୍ୟାଖ୍ୟାନ କରୁଁ ତପୋଧନ

ଗହନ ବିପିନେ ହେଲ ତପୋନିମଗନ ।

 

ନିରେଖି ଗଭସ୍ତିମାଳୀ ଆୟତଲୋଚନେ

ପ୍ରଚଣ୍ଡ ନିଦାଘ ଋତୁ ଯାପିଲ ସେ ବନେ ।

ପରିହିତ ହେଲ ପୀନ ନିତମ୍ବେ ଲେଙ୍ଗୁଟି,

ଡରିଲା ସଂସାର ଦେଖି ପଞ୍ଚାଗ୍ନି ଭ୍ରୂକୁଟି ।

 

ତପ୍ୟାତ୍ୟୟେ ସୁକୁମାରି ! ସାନ୍ଦ୍ର ଗିରି ବନ,

କଲ ଝଙ୍କାଳିଆ ତରୁତଳରେ ସାଧନ ।

ଶିଶିରେ ଚାଉଁଚାଉଁକା ଗିରିଝରଜଳେ

ବୁଡ଼ିଲ ତନୁମଧ୍ୟମା ତୁଣ୍ଡାଳକ ତଳେ ।

 

ତପେ ତପୀ ପିନାକୀଙ୍କୁ କିଣିଲ ଅବଳା !

ଚାରି ଯୁଗେ ସତୀଯଶ ତୁମ୍ଭର ରହିଲା ।

 

ଦମୟନ୍ତୀ

କଳିପ୍ରରୋଚିତ ନଳ ଅନୁଜ ସଙ୍ଗତ

ଦ୍ୟୂତବ୍ୟସନରେ ମାତି ହାରିଲେ ସମସ୍ତ ।

ନିର୍ବାସିତ ରାଜା ତବ ଜନକଭବନ−

ପ୍ରୟାଣ ନିଯୋଗି ଆପେ ବାହାରିଲେ ବନ ।

 

ବନଯାତ୍ରା ନଳରାଜା ଯେତେ କଲେ ମନା,

ପତି ପାଶେ ସେତେ ଅଳି କଲ ସୁଲେଚନା ।

ପଥେ କଲିପ୍ରରୋଚିତ ଦୁର୍ବୁଦ୍ଧି ରାଜନ

ଏକାକିନୀ ତେଜି କାହିଁ କଲେ ପଳାୟନ !

 

ବିଜନ ଗହନ ବନେ ଓଗଲିଳା ଅହି,

ବ୍ୟାଧ ନାଶ କଲା ତାକୁ ଅନ୍ତରାଳେ ରହି ।

ଲାବଣ୍ୟବଳିତ ତନୁ ଚାହିଁଣ ଶବର

କୁଥିଲା କାମମୀଢ଼ ହୋଇ ଅତ୍ୟାଚାର ।

 

ସାଧ୍ୱୀଦର୍ପେ ସେ ଲମ୍ପଟେ କଲ ପରାଜିତ,

ପତିପଥ ଚାହିଁ କଲ ସମୟ ଯାପିତ ।

 

ଶକୁନ୍ତଳା

ପ୍ରଚଣ୍ଡ ମଧ୍ୟହ୍ନ କାଳ ଦୃପ୍ତ ରବିକର

ନିର୍ବେଦନିମଗ୍ନ ବନବିଟପିନିକର ।

ରୋମନ୍ଥନିଯୁକ୍ତ ପଶୁ ତରୁ−ଛାୟା−ତଳେ,

ନିଃଶଦ୍ଦ ନିଶ୍ଚଳ ପକ୍ଷୀ ପଲ୍ଲବ ଗହଳେ ।

 

ମାଳିନୀପୁଲିନେ କଣ୍ୱମୁନି−ତପୋବନେ

ବସିଛି ଏ କିଏ ବାମା ବିଷଣ୍ଣବଦନେ ।

ଭାବନା−ବାରିଧି−ନୀରେ ଅଛି ପ୍ରାଣ ବୁଡ଼ି,

କଳ୍ପନା−ଗଗନେ ଅବା ଯାଇଅଛି ଉଡ଼ି ।

 

ପୁରତେ ପ୍ରବେଶି ତେଜୋରୂପୀ ତପିବର

ଗର୍ଜନ୍ତି “ଅୟମହଂ ଭୋଃ,” ନାହିଁ ତା ଉତ୍ତର ।

“ଅବହେଳୁ ଯେ ଦୁଷ୍ୟନ୍ତେ ଭାଳି−ତପୋଧନେ,

ନ ଚିହ୍ନିବ ସ୍ମାରିତ ସେ ହୋଇ, ବିଚେତନେ”-

 

ଭାଷିଣ ଦୁର୍ବାସା କ୍ରୋଧୀ ଚାଲିଗଲେ କାହିଁ,

ସତୀର ସମାଧି ଆହା ଟଳିଲା ତ ନାହିଁ !

 

ଯୁଗ୍ମଚିତ୍ର

-୧-

ସରଯୂ−ତଟିନୀ−ତଟେ ସାକେତ−ନଗରୀ,

ସୁରଧୂନୀ−ତୀରେ ଯେହ୍ନେ ସ୍ୱର୍ଗବିଦ୍ୟାଧରୀ ।

ଏଥି ରାମ ନରେଶ୍ୱର ମହିଷୀ ସଙ୍ଗତ

ତେଜି ରାଜ୍ୟ ଯାନ୍ତି ବନେ ପାଳି ସତ୍ୟବ୍ରତ ।

 

ବହି ଚୀର କଉପୀନ ଜଟା ମହାବୀର,

ଭକ୍ଷି ବନ−ଫଳମୂଳ, ସୁଖ−ଦୁଃଖେ ଧୀର ।

‘ହା ରାମ ଲକ୍ଷ୍ମଣ’ ଝୁରି, ଝୁରି ‘ରାମ ସୀତା’

ସତ୍ୟାର୍ଥେ ତେଜନ୍ତି ପ୍ରାଣ ଦଶରଥ ପିତା ।

 

ତରୁଣୀ ଊର୍ମିଳା ତେଜି ତରୁଣ ଲକ୍ଷ୍ମଣ

ଅରଣ୍ୟେ ଅଗ୍ରଜ ସହ କରନ୍ତି ଗମନ ।

ମାତୁଳ−ଆଳୟୁଁ ଫେରି ଭରତ−ନରେଶ

ଧାବନ୍ତି ଶ୍ରୀରାମ ପଛେ ଧରି ଯତିବେଶ ।

 

ପ୍ରଧାନ ବଶିଷ୍ଠ ଏଥି ତତ୍ତ୍ୱଜ୍ଞ ବ୍ରାହ୍ମଣ,

ହୋମ−ଆଜ୍ୟ−ଗନ୍ଧ କରେ ମାନସ ହରଣ ।

 

-୨-

ଆଗାଧ ଜଳଧି ମଧ୍ୟେ ସ୍ୱର୍ଣ୍ଣଲଙ୍କାପୁରୀ,

ନିରୟ−ଗହ୍ୱରେ ଯେହ୍ନେ ମାୟାବୀ ଅସୁରୀ ।

ଲମ୍ପଟ କ୍ରୋଧାନ୍ଧ ଏଥି ରକ୍ଷେଶ ରାବଣ

ଛଦ୍ମବେଶେ ପରନାରୀ କରଇ ହରଣ ।

 

ଅତୁଳ କାଞ୍ଚନ−ଗଡ଼ ଅପୂର୍ବ ସୁନ୍ଦର,

ହୀରକ−ମାଣିକ୍ୟ−ମୁକ୍ତା−ମଣ୍ଡିତ ନଗର ।

ଅସଂଖ୍ୟ−ରମଣୀ ସଙ୍ଗେ କାମରସେ ରତ

ଧେନୁ ମଧ୍ୟେ ବୃଷ ସମ ରାବଣ ଉନ୍ନତ୍ତ ।

 

ରାକ୍ଷସଭଗିନୀ ଏଥି ସୂର୍ପଣଖା ନାରୀ

ପର−ପୁରୁଷକୁ ଦେଖି ହୁଏ କାମେ ଘାରି ।

ସହୋଦର−ବିଭୀଷଣ−ହିତ−ଉପଦେଶ

ଶୁଣି ଅପମାନ ଦିଏ ପାତକୀ ରକ୍ଷେଣ ।

 

ଅସି ହସ୍ତେ ସୈନ୍ୟବୃନ୍ଦ ଏ ପୁରେ ପ୍ରଧାନ,

ମଦିରା ଗନ୍ଧରେ ପୂର୍ଣ୍ଣ ଏଥି କନ୍ଧମାନ ।

 

ସୁଲକ୍ଷଣା ଦେବୀ

ଧନ୍ୟ ସୁଲକ୍ଷଣା ଦେବି ସୁଲକ୍ଷଣବତୀ ।

ପବିତ୍ର ବୈକୁଣ୍ଠ−ଧାମୁଁ ଘେନ ମୋ ପ୍ରଣତି ।

ଦରିଦ୍ର ପତିତ ହୀନ ଲାଞ୍ଛିତ ଉତ୍କଳେ

ଜନ୍ମିଥିଲ ଭାଗ୍ୟବତି । କେଉଁ ପୁଣ୍ୟବଳେ ?

 

ଥିଲ ଖତକୁଢ଼−ପଦ୍ମ ଶ୍ମଶାନ−ତୁଳସୀ

ଥିଲ ତୁମେ ଅନ୍ଧକାରେ ପ୍ରତିପଦ−ଶଶୀ ।

ଉତ୍କଳ−ଭାରତୀ−କଣ୍ଠେ ଉତ୍କଳୀୟ ବାଳା

ଲମ୍ବାଇଛ ମାତାଃ ! ଚାରୁ ‘ପାରିଜାତମାଳା’ ।

 

ପ୍ରକୃତିର ପ୍ରିୟଶିଷ୍ୟା ଥିଲ ନିଷ୍ଠାବତି !

ଉଡ଼ାଇଛ ନାରୀ−ପ୍ରତିଭାର ବୈଜୟନ୍ତୀ

କେଉଁ ଦେବକନ୍ୟା ଆସି ଜନ୍ମି ଏ ଉତ୍କଳେ

ଦେଇଅଛ ମହାଶିକ୍ଷା ଗୀତିକାବ୍ୟ ଛଳେ ।

 

ତୁମ୍ଭ ସରି ବୁଦ୍ଧିମତୀ ନାରୀ ଯେଉଁ ଦେଶେ

ଜନ୍ମନ୍ତି, ଉନ୍ନତି ତାର ହେବ ଅବଶେଷେ ।

 

ଉତ୍କଳ−କବି

ରାୟ ରାଧାନାଥ ରାୟ ବାହାଦୁର

-୧-

ମାତୃଭୂମି−ପ୍ରିୟକବି ରାୟ ରାଧାନାଥ,

ଧନ୍ୟ ତବ ଜନ୍ମଭୂମି ଧନ୍ୟ ମାତା ତାତ ।

ଜପିଶା−କୂଳରୁ ଆଜି ଚିଲ୍ କାହ୍ରଦଯାଏ

ଉଦଘୋଷିତ ହୁଏ ‘ଧନ୍ୟ ରାଧାନାଥ ରାଏ ।’

 

ଉତ୍ତୁଙ୍ଗପର୍ବତ−ଶିଖେ କରି ଆରୋହଣ

କରୁଛ ଦୁନ୍ଦୁଭି−ମନ୍ଦ୍ର ବୀର−ଉନ୍ମାଦନ,

ମୋହନ ମୁରଲୀ କେବେ ବାଇ ତରୁତଳେ

ତରୁଣ−ତରୁଣୀ ମନ ମୋହୁଅଛ ହେଲେ ।

 

ନିର୍ଜନ ଶ୍ମଶାନେ କେବେ ହେ ବୈରାଗୀ କବି !

ଉଭା ହୋଇ ଚିତ୍ର ଭବ−ନଶ୍ୱରତା−ଛବି ।

ନବରସ−ବର୍ଣ୍ଣନାରେ ହେ ରସିକବର !

କାବ୍ୟରାଜିପୂର୍ଣ୍ଣ ହୋଇ ରହିଛି ତୁମ୍ଭର ।

 

ପ୍ରତିଭା କବିତ୍ୱ ବିଦ୍ୟା ବିନୟ କରୁଣା-

କେଉଁ ଗୁଣେ ରାଧାନାଥ ! ନୁହ ତୁମ୍ଭେ ଊଣା ।

 

-୨-

ପାର୍ବତୀ, କେଦାରଗୌରୀ, ଯଯାତିକେଶରୀ,

ଉଷା, ମହାଯାତ୍ରା ସଙ୍ଗେ ନନ୍ଦିକା−ଈଶ୍ୱରୀ,

ତୁଳସୀସ୍ତବକ, ଚନ୍ଦ୍ରଭାଗା, ଉରୁବଶୀ,

ଚିଳିକା, କବିତାବଳୀ ଲେଖିଅଛ ବସି,

 

ମେଘଦୂତ−ଅନୁବାଦ କରିଅଛ କବି,

ଚିତ୍ରିଅଛ ଦଶରଥ−ବିୟୋଗର ଛବି ।

ସିନ୍ଧୁ, ହ୍ରଦ, ନଦୀ, ବନ, ପର୍ବତ, ପ୍ରାନ୍ତର,

କେଦାର, ମନ୍ଦିର, ଦୁର୍ଗ, ପଥ, ଘାଟ, ଘର ।

 

ଇତିହାସ−କାବ୍ୟକୁଞ୍ଜେ ସଞ୍ଚିତ ରତନ

ଉଦ୍ଧାରି ଉତ୍କଳେ କବି ! କରିଛ ଅର୍ପଣ ।

ତେଣୁ ଗିରି ବନେ ଦୋଳି ଖେଳି ବନବାଳା,

ବନଦେବୀ ଆରୋହିଣ ସିନ୍ଧୁବୀଚିମାଳା ।

 

ପୁରାତନରୁଚିଯୁକ୍ତ ପଣ୍ଡିତସମାଜ,

ନବ୍ୟଶିକ୍ଷାପ୍ରାପ୍ତ ଯୁବା ଉତ୍କଳୀୟ ଆଜି ।

କବିବର ତବ ଯଶ ଗାଆନ୍ତି ସମସ୍ତେ,

ନମସ୍ତେ ସ୍ୱଦେଶ କବି । ନମସ୍ତେ ନମସ୍ତେ ।

 

-୩-

ଏ ଜଗତେ ସଦା ବୀଣାପାଣି ଭକ୍ତଗଣ

ଦରିଦ୍ରତା−ଅନାଦରେ ଯାପିବେ ଜୀବନ ।

ଏହି ଆଜ୍ଞା କବି−ଭାଲେ ହୋଇଛି ଲିଖିତ,

ସର୍ବ କବି−ଜୀବନରେ ଏହା ପ୍ରମାଣିତ ।

 

ବିଶେଷେ ଉତ୍‌କଳଭୂମି ଅଶିକ୍ଷିତ, ଦୀନ,

ଶିକ୍ଷିତ, ପଦସ୍ଥ, ଧନୀ ଏଥି ଉଦାସୀନ ।

କିନ୍ତୁ ଆହେ ସୁପଣ୍ଡିତ ସୁଯୋଗ୍ୟତା ବଳେ,

ପଡ଼ିନାହିଁ ଦରିଦ୍ରତା−ଦାରୁଣକବଳେ ।

 

ଦରିଦ୍ର ଉତ୍‌କଳ; କିନ୍ତୁ ଭକତି−ସମ୍ମାନ

ତୁମ୍ଭଙ୍କୁ ସେ କବିବର ! କରିଛି ପ୍ରଦାନ ।

ଘେନି ଦୁର୍ବାକ୍ଷତ−ଯୁକ୍ତ ଅର୍ଘ୍ୟର ଡାଲିଆ,

ପୁଷ୍ପଚନ୍ଦନାଦି−ପୂର୍ଣ୍ଣ ବନ୍ଦାଣ ଥାଳିଆ ।

 

ଘେନି, ଦେଖ ଦିବ୍ୟନେତ୍ରେ, ଭକ୍ତ ପୁଷ୍ପହାର,

ତବ କଣ୍ଠେ ପ୍ରିୟ କବି, ଦିଏ ଉପହାର ।

 

 

ଜନନୀଙ୍କ ସ୍ମୃତି

“Faithful remembrancer of one so dear

O welcome guest, though unexpected here!”

W. Cowper.

 

-୧-

କି ମଧୁର ସ୍ମୃତି ଆଜି ପଡ଼ଇ ରେ ମନେ,

କି ବରେଣ୍ୟ ମୂତ୍ତ ମୋର ନାଚଇ ନୟନେ ।

ମୋ ପ୍ରାଣ−ଜନନୀଙ୍କର ମଧୁରମୂରତୀ-

ସୁଦୂର ଶୈଶବ−ସ୍ମୃତି ଅସ୍ପଷ୍ଚ ତ ଅତି ।

 

ବିଧିର ଦାରୁଣ ବିଧି ଶିରୋଧାର୍ଯ୍ୟ କରି

ଶୈଶବେ ତେଜିଲେ ମୋତେ ଜନନୀ ମୋହରି ।

ଅମୃତ−ମଧୁର ତାଙ୍କ କୋମଳ ବଚନ,

ଦୟା−ସରଳତା−ବୋଳା ଆୟତଲୋଚନ ।

 

ପ୍ରଶାନ୍ତ ସରଳ ମୂର୍ତ୍ତି, ଗମ୍ଭୀର ଚମନ,

ଗୃହକର୍ମେ ତତ୍ପରତା, ସଖୀ−ସମ୍ଭାଷଣ,

ସହାସ−ଆନନ ଆମ୍ଭ ସାଧୁ ଆଚରଣେ,

କଠୋରତା−ପୂର୍ଣ୍ଣ ଦଣ୍ଡ ଦୋଷ−ଦରଶନେ ।

 

ବିଗତ ଜନମ−ବାର୍ତ୍ତା−ଅସ୍ପଷ୍ଟ ସ୍ୱପନ-

ଆଜି ମୋ ମାନସ ପଥେ କରେ ବିଚରଣ ।

 

-୨-

ଅତି ପ୍ରତ୍ୟୁଷରୁ ମାତା ତେଜିଣ ଶୟନ,

ପ୍ରାତଃକାଳୁଁ କରୁଥିଲେ ସ୍ନାନ ସମାପନ ।

‘ଭାଗବତ−ଗୋସେଇଁ’ଙ୍କ ଭୋଗ−ଆୟୋଜନ,

କରିଥାନ୍ତି ନ ଆସୁଣୁ ପୂଜକ ବ୍ରାହ୍ମଣ ।

 

ଅପାର ଆନନ୍ଦ ମାତା ପାଉଥିଲେ ତୋଷି-

ନ ଖାଇ ନ ପିଇ ଯୋଗୀ, ଦୁଃଖୀ, ଭୋକୀ, ଶୋଷୀ

ରାତ୍ରୁଁ ଥାଏ ପୋଡ଼ିପିଠା, ଦୁଧ, ଦୁଧସର,

ଦିଅନ୍ତି ପ୍ରଭାତେ ମୋତେ ଜନନୀ ମୋହର ।

 

କହିଥିଲେ ମାତା ଥରେ ଧରି ମୋତେ କୋଳେ,

‘ରଖିବୁ ତୁହି ମୋ ନାମ’ ଚୁମ୍ବି ମୋ କପୋଳେ ।

ଅଧମ ସୁତର ମାତଃ ଦେଖି କି ଲକ୍ଷଣ,

କହିଥିଲେ ଏହିପରି ଭବିଷ୍ୟ ବଚନ ।

 

କହନ୍ତି ଏ କଥାସବୁ ତବ ସଖୀଗଣ,

ତେଜି ମୋତେ କାହିଁ କଲ ଅକାଳେ ଗମନ ?

 

ଭଗିନୀଙ୍କ ଉପହାର

‘They sin who tell us love can die.’

Southey

 

କି ମହାର୍ଗ−ଉପହାର ଆଣିଲୁ ରେ ଚର,

ଅଛନ୍ତି ତ ଭଲ ପ୍ରାଣ−ଭଗିନୀ ମୋବର ?

ଅଭାଗା ଭ୍ରାତାକୁ ଏତେ ଦିବସେ ଭଉଣୀ,

ପାସୋରି କିପାଁଇ ମନେ ପକାଇଲେ ପୁଣି ?

 

ନିୟତି ନିଦେଶେ ଯେବେ ଘେନିଣ ବିଦାୟ,

ଆତ୍ମା−ପକ୍ଷୀ ଉଡ଼ିଯିବ ତେଜି ଏ କୁଳାୟ ।

ସେତେବେଳେ ଭଗିନୀ କି ଅଧମ ସୋଦରେ,

ସଜଳନୟନେ ମନେ ପକାଇବେ ଥରେ ?

 

ମୃତ୍ୟୁ ପରେ ଜଣେ ହେଲେ କରିବ ସ୍ମରଣ,

ଏ ଚିନ୍ତାରେ ଆନନ୍ଦିତ ହୁଏ ମୋର ମନ ।

ଜ୍ଞାନଜନେ କହିଥାନ୍ତି ‘ପ୍ରୀତି ଅନଶ୍ୱର’,

ସ୍ୱର୍ଗେ କି ରହିବ ସ୍ନେହ ତାଙ୍କର ମୋହର ?

 

କହିବୁ ତୁ ଭଗିନୀଙ୍କି ଦରିଦ୍ର ଭାତାର,

ନାହିଁ ଶକ୍ତି ଦେବ ତାଙ୍କୁ ପ୍ରୀତି−ଉପହାର ।

 

ବିଷାଦିନୀ

“Like a high−born maiden

In a palace tower

Soothing her love−laden

Heart in secret hour

With music sweet as love,

Which overflows her bower.”

Shelley.

 

ଶରତ−ବସନ୍ତ−ବର୍ଷା−ଗ୍ରୀଷ୍ମ−ହିମ−ଶୀତେ

ପ୍ରଭାତ−ପ୍ରଦୋଷକାଳ−ମଧ୍ୟାହ୍ନ−ନିଶୀଥେ

କିଏ ତୁମ୍ଭେ ବିଷାଦିନୀ ! ସୁକରୁଣ ସ୍ୱନେ

ଝରିଣ କାହାକୁ ଗୀତ ଗାଅ ମନେ ମନେ ?

 

କି ଗୀତ ଗାଉଛ ଆହା ଦିବ୍ୟ ସୁଧା ଜିଣି

ମଧୁର ପଞ୍ଚମ ସ୍ୱରେ ବିଭାଷରାଗିଣୀ !

ଯେହୁ ଇଚ୍ଛା ହୁଅ, କିନ୍ତୁ ସତୀ ଶୁଦ୍ଧଶୀଳା !

କୋଟିକେ ଗୋଟିଏ ମିଳେ ଏପରି ମହିଳା ।

 

ଜୀବନ−ବସନ୍ତେ ପରା ପ୍ରାଣର ପ୍ରଣୟୀ

ତେଜିଣ ତୁମ୍ଭଙ୍କୁ ଯାଇଛନ୍ତି ପ୍ରେମମୟି !

ଧନ୍ୟ ତବ ପିତା ମାତା ! ଧନ୍ୟ ସେହି ବଂଶ !

ଏମନ୍ତ ଦୁହିତାରତ୍ନ ଯହିଁ ଅବତଂଶ ।

 

ଶତଗୁଣେ ଭାଗ୍ୟବନ୍ତ ପ୍ରିୟତମ ଜନ,

ଦିବ୍ୟ ଧାମୁଁ ତୁମ୍ଭଙ୍କୁ ଯେ କରନ୍ତି ଦର୍ଶନ ।

 

ଉତ୍କଳ−ଲକ୍ଷ୍ମୀ

ତୁଙ୍ଗ ଗିରି ଘନ ବନ ଦୀର୍ଘନଦୀରାଜି-

ଭୀମକାନ୍ତ ବେଶେ ଅଛୁ ଅପଘଟନ ସାଜି ।

 

ଶ୍ୟାମଳ କୋଦାରପନ୍ତି ଦିଗନ୍ତବିସ୍ତାରୀ,

ଦେଖି ସ୍ୱର୍ଣ୍ଣବର୍ଣ୍ଣ ଫଳ ପ୍ରାଣଦାନକାରୀ ।

ଦିଗଦିଗନ୍ତରୁ ଆସି ବୈଦେଶିକଗଣ,

କରନ୍ତି ସ୍ୱଚ୍ଛନ୍ଦେ ସୁଖେ ଜୀବିକୀ ଅର୍ଜନ ।

 

କୋଟି ସୁତେ ଘୋର ଦୁଃଖେ ଖଟି ବାରମାସ

ବେଳେ ଖାଇ ଦୁଇବେଳ ରହନ୍ତି ଉପାସ ।

ଔଦାସିନ୍ୟ−ଅବସାଦ−ନିଦ୍ରା−ନିମଗନ,

ଅସାର ସଂକୀର୍ଣ୍ଣ ଗର୍ବେ ଆନେ ବିଚେତନ ।

 

ସ୍ୱଜାତି−ନିନ୍ଦୁକେ ଦେଇ ଭକ୍ତି, ପାନାହର,

ତୋର ବରପୁତ୍ରଗଣ ଉଦାସ ଉଦାର ।

କେବେ ପାକ ହେବ ଦୁଃଖ−ଦଶା ମା ତୋହର,

ତୋ ସୁତେ କରିବେ ନିଜ ଧନେ ନିଜ ଘର ?

 

ବସନ୍ତ−କୋକିଳ

-୧-

ବସନ୍ତନିଶାନ୍ତେ ରବି ଅନନ୍ତେ ଉଦିତ

ନୀରବେ ନିସର୍ଗ ଗାଏ ଜୀବନସଙ୍ଗୀତ ।

ଦୂରଗ୍ରାମପ୍ରାନ୍ତେ ବହେ କ୍ଷୀଣ−ତରଙ୍ଗିଣୀ,

ତା ତଟ−କୁଟୀରେ ସୁପ୍ତ ପଲ୍ଲୀସୀମନ୍ତିନୀ ।

 

ବସନ୍ତ−କୋକିଳ ! ତହିଁ ପଞ୍ଚମ−ରାଗିଣୀ,

ଢାଳୁ, ନୀଳଗଗନରେ ବହେ ମନ୍ଦାକିନୀ ।

ଗାଉ ‘କୁହୁ’ ‘କୁହୁ’ ପିକ, କି ଅପୂର୍ବ ତାନେ !

ଜୀବନ−ଜାହ୍ନବୀଧାରା ବହେ ବିଶ୍ୱପ୍ରାଣେ ।

 

ଶୁଣନ୍ତେ ସୁନୀଳକେଶୀ ତରଳଲୋଚନା,

ପଦ୍ମ ଆସ୍ୟ ଟେକି ଚାହେଁ ଚମ୍ପକବରଣା ।

ଲାବଣ୍ୟ ନିର୍ମଳତନୁ ହୁଏ ଆନ୍ଦୋଳିତ,

ନବୀନ ବକ୍ଷୋଜ ପୀନ ମୃଦୁ ପ୍ରକମ୍ପିତ ।

 

ବାସନାବିକ୍ଷୁବ୍‌ଧ ପ୍ରାଣେ ଉଦ୍ଦାମ ଯୌବନେ

କି ବାରତା ଦେଉ ପିକ ! ସୁଦୂରେ ନିର୍ଜନେ ?

 

-୨-

ଥାଆନ୍ତା ମୋଗୀତେ ଯେବେ ତୋର ମଧରିମା,

ଥାଆନ୍ତା ମୋ ଗୀତେ ଯେବେ ସ୍ୱର୍ଗୀୟ ଗାରିମା ।

ପାର୍ଥିବ−ଅର୍ଥର କ୍ଷୁଦ୍ର ସୀମା ଅତିକ୍ରମି,

ବିଶାଳ କଳ୍ପନା−ଦେଶେ କିଛି ଦୂର ଭ୍ରମି ।

 

ଧରା ଧୁଳି ତେଜି ନୀଳ ନିର୍ମଳ ଗଗନେ,

ଗାଆନ୍ତି ତୋ ସଙ୍ଗେ ଦିବ୍ୟ ଅମୃତନିଃସ୍ୱନେ ।

ଗୀତେ ମୋର ପ୍ରଚାରନ୍ତି ପ୍ରୀତି−ମଧୁରିମା,

ପ୍ରଚାରନ୍ତି ଜନ୍ମଭୂମି−ଏତୀତ−ମହିମା ।

 

ଶୁଣି ତା ଜାଗନ୍ତା ସୁପ୍ତା ଉତ୍କଳଜନନୀ,

ତୋ ଗୀତେ ଜାଗଇ ଯେହ୍ନେ ପଲ୍ଲୀସୀମାନ୍ତିନୀ ।

କିନ୍ତୁ ହାୟ ବୃଥା ଆଶା ! ମୋ ପାରାଣର ଭାଷା

ଆବିଳସଲିଳା ଯେହ୍ନେ ନଦୀ କର୍ମନାଶା ।

 

ପିକ ତୋର ‘କୁହୁ’ ଧ୍ୱନି ସ୍ୱର୍ଗମନ୍ଦାକିନୀ,

ତା ନୀର କରନ୍ତି ପାନ ସୁରସୀମନ୍ତିନୀ ।