ହୃଦୟ ସଂଗୀତ

ପ୍ରବୋଧ କୁମାର ରାଉତ

 

ଆହାନା

ହୃଦୟ ସଂଗୀତ

ଲେଖକ:

ପ୍ରବୋଧ କୁମାର ରାଉତ

ପ୍ରକାଶିକା :

ଜୀବନଜ୍ୟୋସ୍ନା ସାମନ୍ତରାୟ

ଆହାନା

ରାଜାବଗିଚା, କଟକ – ୯

ଡ଼ି.ଟି.ପି. ଓ ମୁଦ୍ରଣ :

ଶ୍ରୀଅରବିନ୍ଦ ପ୍ରିଣ୍ଟିଙ୍ଗ ପ୍ରେସ

ରାଜାବଗିଚା, କଟକ–୯

ପ୍ରଚ୍ଛଦ ଶିଳ୍ପୀ : ଶଶିକାନ୍ତ ରାଉତ

ଶେଖବଜାର, କଟକ

ପ୍ରଥମ ସଂସ୍କରଣ : ୨୦୧୩

ମୂଲ୍ୟ – ଟ . ୧୨୫.୦୦ ମାତ୍ର

Hrudaya Sangita

By:

Probodh Kumar Rout

Published by: Jeevan Jyotshna Samantaray

Ahana

Rajabagicha, Cuttack-9

 

D.T.P. & Printed at:

Sri Aurobindo Printing Press

Rajabagicha, Cuttack-9

Cover Design :

Shashikanta Rout Saikh Bazar, Cuttack

First Edition : 2013

Price : Rs.125.00

 

ପ୍ରୀତି ସୂମନ

ଏ ଜନ୍ମରେ ମୋ ହାଣ୍ଡିଶାଳର ମାଲିକିଆଣୀ ।

କଥା ଦେଇଛି ଜନ୍ମଜନ୍ମାନ୍ତରେ ଜନ୍ମଥୁବ ମୋ ଘରଣୀ ହେଇ । ‘ହୃଦୟ ସଂଗୀତ’ର ସବୁ ଶବ୍ଦର ଉନ୍ମେଷ, ନ୍ୟାସ, ବିନ୍ୟାସ ସବୁ ତାଆରି ପାଇଁ ।ପତ୍ନୀ ପୁଷ୍ପଲତାଙ୍କୁ.....

-ପ୍ରବୋଧ

 

 

 

ଆତ୍ମଲେଖା

କ୍ଷୀରୋଦ, କୁଲୁ, ମାଇଁ, ମନୁ ଓ ସରୋଜ ଏମାନେ ପ୍ରେରଣା, ହିମତ୍ ଓ ଅନେକାଂଶରେ ଆପଣାଛାଏଁ ଶବ୍ଦର ପାଖୁଡ଼ା ।

କେବେ ଫୁଟେଇଛନ୍ତି ପାହାଡ଼ରେ ଫୁଲ ତ’ କେବେ କରିଛନ୍ତି ଆକାଶକୁ ଗେଲ । କେବେ କୁଳୁକୁଳୁ ନଈ ତ’ କେବେ ପାହାଡ଼ିଆ ଟାଙ୍ଗରା ଭୂଇଁ ।

କବି, ଗାଳ୍ପିକ, ନାଟ୍ୟକାର ପରେ ଯାହାଙ୍କ ଶ୍ରେୟଯୋଗୁ ‘ହୃଦୟ ସଂଗୀତ : ସିଏ ଶଶିଭାଇ । ବହିଟିଏ କରିବାର ପ୍ରେରଣା ତାଙ୍କର ।

ପଦିଏ କଥାରେ ଯିଏ ପ୍ରକାଶନର ଭାର ବହନ କରି କୃତାର୍ଥ କରିଛନ୍ତି ସିଏ ଶଶୀପ୍ରଭା ସାମନ୍ତରାୟ । ପ୍ରକାଶନର ଭାର ତାଙ୍କର ।

 

ସମସ୍ତେ ମୋର....

-ପ୍ରବୋଧ

 

' ଗୀତ ଚାଙ୍ଗୁଡ଼ି

କ୍ର.ନଂ. ମୁଖଡ଼ା

 

ଭକ୍ତି ନୈବେଦ୍ୟ :

୧. ବମ୍ ବୋଲରେ କାଉଡ଼ି ଭାଇ

୨. ଗୟସ ଫୁଲର ମାଳ ।

୩. ;ତୋଳି ଦୁବ ବରକୋଳି

୪. ଓମ୍ ଶିବ .ଓମ୍ ଶିବ

୫. ଆଲୋ କନିଅର ଫୁଲ

୬. ଆଲୋ ବଉଳ ଆ ସଅଳ

୭ . ଡମ୍ ଡମ୍ ଡମ୍ ଡମ୍ବରୁ ବଜାରେ

୮. ମୋତେ ପଛରୁ ଡାକନା ଲୋ

୯. ବମ୍ ବମ୍ ଭୋଳା

୧୦. ଆରେ ପାଖେଇଯା

୧୧. କଂସର ଘରଣୀ

୧୨. ଆଜି ତ ଜାଗର ରାତି

୧୩. ବୈଦ୍ୟନାଥ ପାଖେ ପ୍ରଣତି ଜଣାଇ

୧୪. ଫାଲଗୁନ ମାସରେ କପିଳାସ ଧାମ

୧୫. ଶୁଆ ଘୋଷେ ରାମନାମ

୧୬. ଏ ଜନମେ ଯେତେ ପୁଣ୍ୟ ଅରଜିଛି

୧୭. । ଶ୍ରୀଅଙ୍ଗ ତୁଳସୀମାଳ ଲୋ

୧୮. ଆଣିନି ସୁନା ଥାଳିଆ

୧୯. ହଟ କରନାରେ ପଣ୍ଡାପୁଅ

୨୦. ଆଖୁର ଲୁହରେ ସଳିତା ଭିଜାଇ

୨୧, ଟୁପୁରୁ ଟୁପୁରୁ ମେଘ ବରଷିଲା

୨୨. ଗୋଟିଏ ଭକତକୁ କୋଟିଏ ପଣ୍ଡା।

୨୩. ବାସଚନ୍ଦନଲୋ ସଖୀ

୨୪. ପୁରସ୍ତମ କୁମ୍ଭାରୁଣୀ

୨୫. ମା ଝିଅ ଦୁହେଁ ମନ୍ଦିର ଗଲେ ।

୨୬. ତୁ ନେଲୁନାହିଁ ରଥରେ ବୁଲାଇ

୨୭. ଯେତେ ପଢ଼ିଲେ ଭାଗବତ ଲୟକରି

୨୮. ହାଁକୁ ଦବଲ ହେଇ ହେଇଆ

୨୯. କାଳିଆର ତୁଳସୀ ମାଳିଆର

୩୦. ଗୋପୀପିନ୍ଧା ଲୁଗା

୩୧. ହୋ ଭାଇନା

୩୨. ପୁରିଲା କାଳ ସରିଲା ବେଳ

୩୩. । ଦେଖଲୋ ରାଧାମାଧବ ଚାଲି

୩୪. ସୁନା ସୋରିଷିଆ ଖରାରେ

୩୫. ମାଲୋ ମଲି

୩୬. କେଡେ ରଙ୍ଗେଲୋ

୩୭. ବାନ୍ଧିବି ମୁଁ ଘୁଙ୍ଗୁର

୩୮. ମୋ ପାଦେ ବାନ୍ଧିଦେଲ

୩୯. ମାଣିକର ଦହି

୪୦. ତୁମକୁ କିଏ ସେ

୪୧. । ସରଗ ସୂତା ଗଜ ମୁକୁତା

୪୨. । ଦିନଯାଉ ଚିହ୍ନ ରହୁ

୪୩. ଝୁମୁରୁ ଝୁମୁରୁ ଝୁମୁରୁ ଝାଇଁ

୪୪. ଜନମ ମରଣ ଜୀବନ ଭେଳା

୪୫. ନରେନ୍ଦ୍ର ପୋଖରୀ

୪୬. ହେ ସାଇନାଥ

୪୭. ଏପଟେ ଚକୋର

୪୮. ନଡ଼ିଆ ଗଛର ନାଲି ଚଅଁର

୪୯. ବାସ ଚନ୍ଦନ ଲଗେଇ

୫୦. ଆରେ ମୁଁ ତ ଚକୁଳିଆ ପଣ୍ଡା

୫୧. ଏ ଜୀବନ ନୁହେଁରେ

 

ବାଣୀକଣ୍ଠ କଣ୍ଠେ :

୫୨. ଅଇଲା ଗ୍ରୀଷମ କାଳଲୋ

୫୩. କି ହେବ ନେତା ହୋଇଲେ

୫୪. ପିଲେ କ୍ରିକେଟ୍ ଦେଖିଲେ ଲୋ

୫୫. ଧୋକାଦେଲେ ପାକିସ୍ତାନୀ ଲୋ

୫୬. ହିନ୍ଦୁ ମୁସଲମାନ ଭାଇ ଲୋ

୫୭. ଦେଖ ଦେଖ ଲାଗିଅଛି

୫୮. ଧନ୍ୟରେ ଓଡ଼ିଆ ଟୋକା

୫୯. କି ହେବ ଯୁଦ୍ଧ କରିଲେ

୬୦. ଆହେ ଯବାନ ବୀର

୬୧. କାଶ୍ମିରୀ ଲୋଭେ ପାକିସ୍ତାନ

୬୨. ଯେଉଁ ମାଟି ପାଇଁ କମାଣରୁ ଗୁଳି

 

ପ୍ରୀତିଅର୍ଘ୍ୟ :

୬୩. ଅଫେରା ଅତୀତ

୬୪. ଜହ୍ନକୁ ଜହର

୬୫. ଝରିପଡ଼ିଥିବା ଶେଫାଳୀ ଫୁଲ

୬୬. । ନିରୋଳା ରାତିର

୬୭, ଫୁଲଟିଏ ହୋଇ

୬୮. ଭଲପାଇବାଟା ଅପରାଧ ନୁହେଁ

୬୯. ପର୍ବତ ଶିଖରେ

୭୦. ଅଗଭୀର ସାଗର ମୁଁ

୭୧. ଏ ଆଖି ଦେଖିଛି ହାଏ

୭୨. ସବୁଦିନେ ଯଦି ବରଷା ହୋଇ

୭୩. ମୋ ମନୁ ସରାଗ

୭୪. ସେନେହ ସୋହାଗ ଶିରୀ

୭୫. ମୋ ପଛରେ ଛାଡ଼ିଆସିଲି ଯେଉଁ

୭୬. ମୋ ଏପାଖେ ସାଗର

୭୭. ପ୍ରଥମ ଦେଖାରେ ଓଠ ଖୋଲିଲନି

୭୮. ପାଦର ପାଉଁଜି

୭୯. ତୁମ ଗାଁ ନଈକୂଳ

୮୦. ଭୁଲିଯାଅ ବୋଲି

୮୧. ମୋ ଶବଧାରରେ

୮୨. ହଳଦୀ ଚନ୍ଦନ ନାଇ

୮୩. ମନରେ ଝରକା ଖୋଲି

୮୪. ନରମୀ ଓଠର

୮୫. ମନରେ ଝରକା ଖୋଲି

୮୬. ଖୋଜି ଖୋଜି ଆଜି

୮୭. ତୁମରି ଗାଆଁରେ

୮୮. କିଛି ଲାଭ ନାହିଁ

୮୯. ଟୁକୁଡା କାଚକୁ

୯୦. ମୋ ପ୍ରିୟା କାହିଁ

୯୧. ହୃଦୟ କାଗଜରେ

୯୨. ବୟସ ଡାଳରୁ

୯୩. ଫୁଲର ରାଣୀ

୯୪. ଦୂର ବିଦେଶୀ

୯୫. ଅଜଣା ବାଟୋଇ

୯୬. ମୁଁ ଗହନ ନିଦରେ

୯୭. ଚିଠି ଲେଖା ଭୁଲିଗଲ

୯୮. ବୋଉଲୋ ତୋ ଜୁଆଇଁ

୯୯. ସେଲୁନରେ ବାଳକାଟୁଛି

୧୦. ଯୋଡ଼ା ବୟସଟା

୧୦୧, ଶନିବାର ଦିନ

୧୦୨. ଖରା ମାରିଗଲା ଝାଇଁ

୧୦୩.ଯୋଉଦିନ ହେଲା

୧୦୪, ଏସନେ ଫଗୁଣେ

୧୦୫, ହଳଦୀ ଗୁରୁଗୁରୁ ଲୋ

୧୦୬, ତୋର ଅଣ୍ଟା ନକନକ

୧୦୭, ଘର ଅଗଣାରେ ଡାମରାକାଉ

 

ଯୁଗଳ ବନ୍ଦୀ ;

୧୦୮, ପ୍ରିୟାପାଇଁ ମୋର

୧୦୯.ଚା ଚା ଚା ଚାରୁ ଚହ୍ଳା ଚଟଣୀ

୧୧୦. ଅଇଲା ବାଘ

୧୧୧. ସପନ ସଉଦା ସରିଯିବା ପରେ

୧୧୨. ପାନ ପତରକୁ ଚୂନ

୧୧୩. କଥା ଦିଅ ମୋ ମଥାରେ

୧୧୪ ତୁ ଯୋଉ ଗାଁର

 

 

ଭକ୍ତି ନୈବେଦ୍ୟ

 

ବମ୍ ବୋଲରେ କାଉଡି ଭାଇ ବମ୍ ବୋଲରେ ହୋ...

ବମ୍ ବମ୍ ବମ୍ ବମ୍ ବୋଲରେ

ଶ୍ରାବଣ ମାସରେ ଝରି ବରଷା

ଭାରୁଆ ଭାଇକୁ ଶିବ, ଭରସା ।

ପିତଳ ଗଡୁରେ ଶ୍ରୀଫଳ ଧରି

ବାଉଙ୍ଗିକୁ ଶୋଭା ନାଲିଆ ଜରି

ସାତ ଜନ୍ମ ପୁଣ୍ୟ ପାଇବୁ ତୁହି

ବମ୍ ବୋଲରେ.......... ||୧||

 

ବିଜୁଳି ଚମକେ ରହି ରହିରେ

ମନରେ ତିଳେ ଭୟ ନାହିଁରେ

ବାଟରେ ବାଉଙ୍ଗୀ ରଖିବୁ ନାହିଁ

ରଖିଲେ ଧନରେ ଯିବୁ ଗାଧୋଇ

ପାପ ତାପ ସବୁ ଯିବରେ ଧୋଇ

ବମ୍ ବୋଲରେ... ||୨||

 

କଅଁଳ ପାଦଟି ହେବ ଦରଜ

ଲୋଭ ମାୟା ସବୁ ମନରୁ ତେଜ

ଛୁଆଁ ଅଛୁଆଁ ବାରଣ ନାହିଁ ।

ଶିବ ତାରକ ତୁଣ୍ଡରେ ଗାଇ

ସଂସାର ଭେଳା ଯିବୁ ପାର ହୋଇ

ବମ୍ ବୋଲରେ ,.... | ୩ ||

 

ଗୟସ ଫୁଲର ମାଳ

କନିଅର ଯୁଇ ତୋଳ

ଦୁଦୁରା ମିଶାଇ ଗୁନ୍ଥ ହେ ଗୋସାଇଁ

ପିନ୍ଧିବେ ଭୋଳାଶଙ୍କର ||o||

 

ତିନି ଶାଖା ଦେଖି ବେଲ ପତର

ଶହେ ଆଠ ପାଣି ଢାଳିଲେ ଶିର

ଯୋଗରୁ ଭୋଗରୁ

କୈଳାସ କନ୍ଦରୁ

ନିଦରୁ ଉଠିବ ମହାକାଳ

ଯାଚିଦବ କୋଟି ପୁଣ୍ୟଫଳ ଗୟସ.... ||୧|

 

ଭୋଳା ଶଙ୍କରକୁ ଦିଅ ଭଳାଇ

ଖିର କନ୍ଦ ସଙ୍ଗେ ଭାଙ୍ଗ ମିଶାଇ

ନିଶାରେ ଝୁଲିବ

ଡମ୍ବରୁ ବାଜିବ

ଜଟାରୁ ଝରିବ ଗଙ୍ଗାଜଳ

ନାଚିବ ତାଣ୍ଡବ ହୋଇ ଭୋଳ

ଗୟସ.... ||୨||

 

 

ତୋଳି ଦୁବ ବରକୋଳି

ପକଉଛି ହୁଳହୁଳି

ରଖିଛି ନବାତ କ୍ଷୀର

ତ୍ରିଶାଖା ବେଲପତର

ଆସ ଆସ ଆଶୁତୋଷ

ମୋ ରାଣ ହୁଅନା ଆଉ ରୋଷ ||o||

 

ଦୁଦୁରା ଗଜରା କରି ।

କନିଅର ଦେଲି ଯୋଡ଼ି

ଗଉରୀ ଭାବକୁ ନେଇ

ଗଳାରେ ଦେବି ଲମ୍ବାଇ

ଗଳାରେ ତୋ ସାପ ଦେଖି ଲାଗୁଛି ଡର।

କରନା କରନା ମୋତେ ଏ ହରବର... ହେ ହର

ଦାଣ୍ଡ ଦୁଆରେ ବସିଛି ମୋର କଳସ

ଆସ ଆସ.... ||୧||

 

ଘର ଅଗଣା ସଜେଇଛି

ଯୋଡ଼ିଯୋଡ଼ି ଦୀପ

ଜଳେଇ ଦେଲି ମୋ ଭିତରେ

ଅଛି ଯେତେ ପାପ ।

ଡମ୍ବରୁ ତୋ ଡିବିଡିବି ବଜେଇଦେ ଥରେ

ଭକତ ପାଇଁକି ପରା କରୁଣା ତୋ ଝରେ.... ହେ ହର

ଡାକୁଛି ଆକୁଳେ ତେଜ କପିଳାସ

ଆସ ଆସ.... || ୨ ||

 

ଓଁ ଶିବ ଓଁ ଶିବ ଓଁ ଶିବ ଭଜରେ

ତରିବୁ ଯଦି ଭବ ସାଗର ।

ଶିବ ନାମକୁ ଜପରେ

ନାମରେ ବ୍ରହ୍ମକୁ

ବ୍ରହ୍ମରେ ନାମକୁ

ମନେ ମନେ ତୁ ହେଜରେ ||o||

 

ମଶାଣୀ ଭୂଇଁରେ ଜଳିବ ଯୁଇ

ନାମ ସଂକୀର୍ତ୍ତନ ଶୁଭିବ ନାହିଁ ।

ମାଲଭାଇ ସବୁ ଫେରିଗଲା ପରେ

ଯେବେ ଶୀତଳ ହୋଇବ ରାଇ

ନଥିବେ ସାହି ନଥିବେ ଭାଇ ।

ଭାବ ପ୍ରୀତି ମନେ ପଡ଼ିବ ନାହିଁ

ଶବ ପାଖେ ସାହା ଶିବରେ

ଓଁ ଶିବ.... ||୧||

 

ହରିଠୁ ହର ଅଳପ ଦୂର

ଭାବକୁ ନିଜର ଅଭାବେ ପର

ଜଣେ ତ ଶୋଇଛି ଅନନ୍ତ ଶୟନ

ଆର ଜଣକ ଯୋଗୀ

ନ ଭଜି ପାରିଲେ ମନୁଆରେ

କର୍ମ ଫଳକୁ ଭୋଗୀ ।

ତାର ନାମରେ ଅମୃତ ଝରେ

ଓଁ ଶିବ...... ||୨|

 

ଆଲୋ କନିଅର ଫୁଲ ତୋର ପାଖୁଡ଼ାରେ ନାହିଁ ବାସ

ବାସି କନିଅର ପୂଜାରେ ଲାଗେନା

ମାଳିପୁଅ ସିନା ଶରଧା କରେନା

ଶିବଙ୍କର ପ୍ରିୟ କନିଅର.....ଲୋ ସଜନୀ

ମନେ ତୋର ଭାରି ସୁଖ

ଆଲୋ କନିଅର....... ll oll

 

କେଉଁ ଜନମରେ କି ପୁଣ୍ୟ କରିଲୁ

କେତେ ଦୀନ ଦୁଃଖୀ ଦାନ ଦେଇଥିଲୁ

ତ୍ରିବେଣୀ ସଂଗମେ କି ସ୍ନାନ କରିଥିଲୁ

ଏ ଜନମେ ପୁଣ୍ୟବନ୍ତ

ଶିବଙ୍କୁ କରିଲୁ ତୋଷ

ଆଲୋ କନିଅର........ ||୧|

 

କୋଟି ଜନମର ସୁଖ ତୁ ଭୋଗୁଛୁ

ଶିବଲିଙ୍ଗେ ଯାଇ ଲାଗି ତୁ ହେଇଛୁ

କେତେ ମନୋବାଞ୍ଛା ପୁରଣ କରୁଛୁ

ଭକତଙ୍କ ପ୍ରାଣଧନ ।

ଶିବ ପାଇଲେ କି ରସ

ଆଲୋ କନିଅର....... ||୨|

 

ତୋଅର ମୋଅର କଟି କନିଅର

ତୁ ତ’ ସାତ ସଉତୁଣୀ ମୋର

ତୋ ଉପରେ ଶିବ ସଦା ସନ୍ତୋଷ

ବାଛିନେଲୁ ସବୁ ସୁଖ ।

ମୋପାଇଁ ଯେତେକ ଦୁଃଖ

ଆଲୋ କନିଅର... || ୩ ||

 

ଆଲୋ ବଉଳ ଆ ସଅଳ

ଆଲୋ ସଙ୍ଗାତ ଆଲୋ ମିତ

ଆଜି ସୋମବାର ଶିବଙ୍କ ବ୍ରତ

ଶିବ ମନ୍ଦିରେ ଗହଳ ଚହଳ ||o||

 

ସୁନା କଳସୀରେ ଚନ୍ଦନ ପାଣି

ମହେଶ୍ଵରଙ୍କର ଅପୂର୍ବ ଠାଣୀ

ହାତରେ ତ୍ରିଶୂଳ ଡମ୍ବରୁ ଶୋଭା

ଜଟିଆ ବାବାର ମଥାରେ ଫଣୀ

ଭକତ ଭାବରେ ହୁଏ ସେ ଭୋଳ

ଆଲୋ ବଉଳ... I୧I

 

ମସ୍ତକରେ ଚନ୍ଦ୍ର ଚନ୍ଦ୍ରଶେଖର

ଉମା ପାଇଁ ଯୁଗେ ଯୁଗେଟି ହର

ଯୋଗୀ ବଇରାଗୀ ଧ୍ୟାନରେ ମନ

ପିନ୍ଧେ ବ୍ୟାଘ୍ରଛାଲ ଶ୍ମଶାନେ ଘର

ତା ଦୟାର ନାହିଁ ଥଳକି କୂଳ

ଆଲୋ ବଉଳ ....||୨|

 

ସବୁ ଜଣା ତାଙ୍କୁ ନାମ ତ୍ରୀନେତ୍ର

ଚବିଶ ଯୋଗିନୀ ତା’ ଅଙ୍ଗୁ ଜାତ

ମଦନକୁ ଯିଏ କରିଲା ଭସ୍ମ

ଜିତେନ୍ଦ୍ରୀୟ ବୋଲି ଜଗତେ ଖ୍ୟାତ

ଯୋଗୀ ପୁଣି ଭୋଗୀ ସେ ମହାକାଳ

ଆଲୋ ବଉଳ ......|| ୩ ||

 

 

ଡମ୍ ଡମ୍ ଡମ୍ ଡମ୍ବରୁ ବଜାରେ ଡମ୍ବରୁବାଲା

ହୋ ଡମ୍ବରୁବାଲା

ଛମ୍ ଛମ୍ ଛମ୍ ତାଣ୍ଡବ୍ ନାଚେରେ ଡମ୍ବରୁ ବାଲା

ହୋ ଡମ୍ବରୁ ବାଲା ||o||

 

ଆଜି ନାଚିବି ମୁଁ ଗାଇବି ମୁଁ

ତା ସାଥେ ଢଳିଢଳି

ଆଜି ଝୁଲିବି ମୁଁ ବୁଲିବି ମୁଁ

ବଜାଇ ହାତ ତାଳି

ଆଜି ଦେଖିବି ମୁଁ ଚାଖିବି ମୁଁ

ପଡ଼ିଛି ମୋର ପାଳି

ନଚାଉ ସଭିଙ୍କୁ ତୁ ଉପରବାଲାରେ ଡମ୍ବରୁବାଲା I୧I

 

କିଏ ବାନ୍ଧିଛି ମଥାରେ ଦେଖ

ନାଲି ପଗଡ଼ି

ରଖହୋ ଶୁମ୍ଭନାଥ କିଏ

ଛାଡ଼ିଛି ରଡ଼ି

ମଥାରେ ବିଭୂତି ବୋଳି

ତୋ ପାଦେ ପଡ଼ି

ଜନମ ମରଣ ସବୁ ତୋର ଲୀଳାରେ ଡମ୍ବରୁବାଲା 191

 

କିଏ ଢାଳୁଛି ଲିଙ୍ଗରେ ତାର

ଗଙ୍ଗାର ପାଣି ।

ଦୁଦୁରା ଆଣିଛି କିଏ

ତା’ ମନଜାଣି

ଲଗାଇ ମାୟାର ଡୋରି

ଆଣିଛି ଟାଣି

ପାପ ପୁଣ୍ୟ ସବୁ ସିନା ତୋଅରି ପାଲାରେ ଡମ୍ବରୁବାଲା ।୩

 

ମୋତେ ପଛରୁ ଡାକନା ଲୋ ସୁନାମୁହିଁ

ମୁଁ ତ ଯାଉଛି ଜାଗର ଜାଳି

କେତେ ମାନସିକ କରି ମୁଁ ଆସିଛି

ହାତରେ ଧରି ଦୀପାଳି ||o||

 

ଫୁଲ ଚାଙ୍ଗୁଡ଼ିରେ ଅତି ଯତନରେ

ଆଣିଚି ଅରଖ ଫୁଲ

ତିଳକର ଚିତା ଲଲାଟେ ଆଙ୍କିବି

ମାଗିବନି ମୋର ମୂଲ

ବେଶ କରିଦେବି ଜଟିଆ ବାବାକୁ

ଜଟାରେ ସଜେଇ ମାଳି

ଆଉ ଉଛୁର କରନା ଲୋ ଚାନ୍ଦମୁହିଁ

ମୁଁ ତ’ ଯାଉଛି...I୧I

 

କେରି କେରି ଦୂବ ସଜାଡ଼ି ରଖିଛି

ଧରିଛି ବନ୍ଦାଣ ଥାଳି

ଅରୁଆ ଚାଉଳ ବରକୋଳିପତ୍ର

ଘିଅରେ ଦୀପକୁ ଜାଳି

ବନ୍ଦାପନା ପାଇଁ ଅଗରୁ ଚନ୍ଦନ

ପାଟର ସଲିତା ବଳି

ଆଉ ଉଛୁର କରନା ଲୋ ସୁନାମୁହିଁ

ମୁଁ ତ’ ଯାଉଛି ....19 ||

 

ବମ୍ ବମ୍ ଭୋଳା

ଜୟ ଜୟ ଜୟ ଭୋଳା ଶଙ୍କର ହୋ

ଭାଙ୍ଗ ନିଶାରେ ଆଜି ବିଭୋର ହୋ

ମୋ ପାଦ ଟଳମଳ

ପାଉନି ଥଳକୁଳ ।

ବୁଲେଇ ଦିଏ ମଥା ଚକ୍କର ହୋ ||oli ||

 

ନିଶା ତ ନିଶା ଭାଇ ଭାଙ୍ଗର ନିଶା

ଯାଏରେ ଉଡ଼ି ମୋଅରି ହିଂସା

ଲାଗୁଛି ଝିମିଝିମି

ନାଚିବି ଝୁମିଝୁମି

ଆଜି ତ ଭୋଳାର ଜାଗର ହୋ

ଜୟ ଜୟ ଜୟ ଭୋଳା.... ||୧||

 

ଆହାକି ବଢ଼ିଆ ଭାଙ୍ଗର ପତି

ନାହିଁ ତା ପାଖେ ଜାତି ଅଜାତି

ମୋ ଆଖି ନାଲି ନାଲି

ଚାଲିମୋ ଝୁଲିଝୁଲି ।

ସବୁ ସେ ଭୋଳାର ଫିକର ହୋ

ଜୟ ଜୟ ଜୟ ଭୋଳା... || ୨ ||

 

ଭାଙ୍ଗରେ ଉଖୁଡ଼ା ନିଶାରେ ସାଙ୍ଗ

ଟେଳାଏ ଭାଙ୍ଗରେ ଏଡ଼ିକି ରଙ୍ଗ

ଆରେ ମୁଁ ମଲିମଲି

ସବୁ ତ ଝିଲିମିଲି ।

କଲାଣି ଭୋଳା ମତେ ମନ୍ତର ହୋ

ଜୟ ଜୟ ଜୟ ଭୋଳା.... || ୩ ||

 

ଆରେ ପାଖେଇ ଯାଆ, ପାଖେଇ ଯାଆ, ପାଖେଇ ଯାଅ

ଆରେ ଆଡ଼େଇ ଯାଆ, ଆଡ଼େଇ ଯାଆ, ଆଡ଼େଇ ଯାଆ

ଆସୁଛି ମାରଣା ଷଣ୍ଢ

ଚରିଖୁଣ ମାଫ୍ ତାକୁ

ବାଟଘାଟ ଛାଡ଼ ତାକୁ

ଷଣ୍ଢ ତ ଷଣ୍ଢ ଶିବଙ୍କ ଷଣ୍ଢ

ଧାଇଁଛି ହୋଇ ସେ ଲଣ୍ଡଭଣ୍ଡ

ଆସୁଛି ଶିବଙ୍କ ଷଣ୍ଢ Ilo||

 

ଶିବଙ୍କ ବାହାନ ସେତ ଭୋଳାର ଚାଟ

ତାକୁ ଭଜିଲେ ପାଇବୁ ଶିବଙ୍କ ଭେଟ

ଖୋଲିଲି ତୋ ଆଗେ ମୋଅରି ତୁଣ୍ଡ

ଜଗିଛୁ ଶିବଙ୍କ ଦାଣ୍ଡ ।।୧।

କେତେ ଡାକିଲି ଶିବଙ୍କୁ ପାଦରେ ପଡ଼ି

କେତେ ଜପିଲି ନାମକୁ ବେଢ଼ାରେ ଗଡ଼ି

ଡାକୁ ନଥିଲି ବୋଲିରେ ଷଣ୍ଢ

ଲଗେଇଲୁ ଯେତେ କାଣ୍ଡ || ୨ ||

 

ତୋଳି ଆଣିଛି ତୋ ପାଇଁ ବେଲ ପତର

ଆଣିଛି ନବାତ ପଣା ଧନରେ ମୋର

ସନ୍ତୋଷ ହୁଅରେ ବାହନ ଷଣ୍ଢ

ଦିଅ ନା ଆଉ ତୁ ଦଣ୍ଡ ....|| ୩ ||

 

କଂସର ଘରଣୀ ପଦ୍ମାବତୀ ରାଣୀ ଦିନେ କଲା ଯେ ଧନିତ୍ରୀ ଓଷା

ଲକ୍ଷ ଭାରପଦ୍ମ ଦେବୁରେ କହ୍ନେଇ ନଥିବ ପାଖୁଡ଼ା ମିଶା

କି ଗୋବିନ୍ଦ ହରେ.....କାଳିରେ ବନମାଳୀରେ ।

ତୋ ପୟରେ ନ ଲାଗଇ ଧୂଳିକି ବନମାଳୀ.... ଭାଲିଆ ଭାଲିଆ...

ମାରି ପାରିବୁ ନାହିଁ ଗଦ ଅଛି ପଦ ଅଛି ଫୁଃ.... ଫୁଃ

ଆରେ ସାପୁଆ କେଳା ତୋର ଜୀବନ ଭୋଳା

ତୁ ଗୁଣି ଗାରେଡ଼ି ପିଠ ଆରେଡ଼ି ପଳା

ମନ୍ତର ଜାଣିଛୁ ଯେତେ

ଯନ୍ତର କରିଛୁ କେତେ

ସବୁ ମନ୍ତର ଜାଣେରେ ସେଇ ଗରଳ ଗିଳା

ଆରେ ସାପୁଆ କେଳା... ||o||

 

ତୋର ଡମ୍ବରୁ ତାଳରେ ନାଚୁଛି ସାପ

ମିଛରେ ମିଛରେ ମାରୁଛି ଚୋଟ

ନଚାଉ ଟୁଙ୍ଗେଇ ମୂଷା

ରଖିଛୁ ମନେଇ ପୋଷା

ତମ୍ପ ଖେଳୁଛି ଶୁଣି ତୋର ପଦୁଅଁ ତୋଳାରେ ପଦୁଅଁ ତୋଳା

ଆରେ ସାପୁଆ କେଳା... ।।୧ ॥

 

ପେଟ ପାଇଁକି ଲାଗିଛି ଏଠି ଯେତେକ ନାଟ

ଗଳାରେ ଲମ୍ବେଇ ଦେଉ ଗୋଖର ସାପ

ରଖିଚୁ ଶୁଙ୍ଗେଇ ଗଦ

ଶୁଣେଇ ଦକ୍ଷିଣୀ ପଦ

ସାପ ସିନା ପାଏ ଶୋଭା ଶିବଙ୍କ ଗଳା

ଆରେ ସାପୁଆ କେଳା... ||୨||

 

ସେ ଆଖଣ୍ଡଳମଣୀ ତାର ଶିରରେ ଫଣୀ

ତାର ଧରିଲେ ନାଆଁ ବିଷ ହୋଇବ ପାଣି

ତ୍ରିଶାଖା ବେଲ ପତର

ଟୋପିଏ ପାଦୁକା ତାର

ସରି ନୁହେଁ ତା ସାଥିରେ ତୋ ଲକ୍ଷେ ପଦୁଅଁତୋଳା

ଆରେ ସାପୁଆ କେଳା... || ୩ ||

 

ଆଜି ତ ଜାଗର ରାତି

ଜାଳିବି ଅଖଣ୍ଡ ବତୀ

ଦୁଃଖ କହିବି ସୁଖ କହିବି

ଯାହା ମନାସିବି ତା ପାଇବି

ମୋ ସାଥୀ ଉମାଙ୍କ ପତି ||o||

 

 

ଗାଇବି ଶିବଙ୍କ ଗୀତି

ପାହିବ ଜାଗର ରାତି

ସେଇ ମୋ ଗତି ସେଇ ମୁକତି

ସେଇ ମୋ ପ୍ରେମ ସେଇ ମୋ ପ୍ରୀତି

ଖୁସିରେ ଭରିଛି ଛାତି ।।୧॥

 

ଶଙ୍କର ସେ ମହାଯତି

ଜପିବି ନାମକୁ ନିତି

ସିଏ ମୋ କାୟା ମୁଁ ତାଙ୍କ ଛାୟା ।

ସାରା ଜଗତ ତାଙ୍କରି ମାୟା

ପାଇବି ପରମ ଗତି || ୨ ||

 

ମୁଣ୍ଡରେ ଥିବ ବିଭୂତି

ଅନ୍ତରେ ଭାବ ଭକତି

ତାଙ୍କ କରୁଣା ଜଗତେ ଜଣା

ତାଙ୍କରି ବିନା ଦୁନିଆ ବଣା

ମୋଅର କାହାକୁ ଭୀତି ।

ମୋ ସାଥୀ ଉମାଙ୍କ ପତି ।। ୩

 

ବୈଦନାଥ ପାଦେ ପ୍ରଣତି ଜଣାଇ ଗାଉଛି ଆଜି ମୁଁ ଗୀତ

ବୈଦନାଥ ବାବା ସାହା ଆମ ପାଇଁ

ଶୁଣଲୋ ମୋ ପ୍ରାଣମିତ

ନଇରେ ଫୁଟିଛି କଇଁ ସଜନୀ ଲୋ ସଜନୀଲୋ

ବାବା ବୈଦ୍ୟନାଥ ଦେଖିଯିବା ପାଇଁ

ବସିଛୁ ତୁ ସଜ ହୋଇ ||୦||

 

 

ପାଦରେ ପାଉଁଜି ତୋର ମୁଣ୍ଡ ଓଢଣା

ନାକରେ ପିନ୍ଧୁଛୁ ତୋର ନାକର ଗୁଣା

ବାଟ ଘାଟ କିଛି ନାହିଁଲୋ ଜଣା

ତେପନ ଗଳିରେ ହୋଇବୁ ବଣା

ପାଦ ଟିପି ଟିପି ଯିବୁ

ବୈଦନାଥ ପାଦେ ଦୁଃଖ କହିବୁ

ତା ପରି ଦେବତା ନାହିଁ ଅନ୍ଧକୁ ଚକ୍ଷୁ ଦିଅଇ ||୧||

 

 

ମୁଣ୍ଡରେ ଲଗେଇଦବୁ ତାଙ୍କ ବିଭୂତି

ଅନ୍ତରେ ରଖିବୁ ତୁ ଭାବ ଭକତି

ଜାଗର ରାତିରେ ଜାଳିବୁ ବତୀ

ତା’ବିନା ନାହିଁ କେ ଗତି ମୁକତି ।

ପାଦୁକ ଟୋପେ ପାଇବୁ

ବୈଦନାଥ ପାଦେ ଦୁଃଖ କହିବୁ

ତା’ ପରି ଦେବତା ନାହିଁ ରୋଗ ବ୍ୟାଧି ଯାଏ ନେଇ || ୨ ||

 

ଫାଲଗୁନ ମାସରେ କପିଳାସ ଧାମେ

ଜାଗର ଜାଳିବି ଯାଇ

ପାପ ପୂଣ୍ୟ ଯେତେ ପଛରେ ପକାଇ

ନାଚିବି ବିଭୋର ହୋଇ ||0||

 

ଭକତଙ୍କ ମେଳେ ଭକ୍ତି ଅନ୍ତରରେ

ମନ ହେଉଥିବ ବାଇ ।

ଖୋଳ କରତାଳ ମର୍ଦ୍ଦଳ ସାଥିରେ

ନାଚିବି ମୁଁ ଥେଇ ଥେଇ

ଜୀବନ ଦୀପରେ ଦୁଃଖର ସଳିତା

ଅଶ୍ରୁଜଳେ ଜାଳିଦେଇ ||୧||

 

ଲୁହ ଅରପିବି ଚରଣେ ତାହାର

କୋହର ଗରଳ ପିଇ

ରାତି ଗଡ଼ିଗଲେ ସଭିଏଁ ଫେରିଲେ

ମୁହିଁ ବାହୁଡ଼ିବି ନାହିଁ

ମହାଦୀପ ଦେଖି ପରାଣ ତେଜିବି

ଧନ୍ୟ ମହାପ୍ରଭୁ କହି ।। ୨ ||

ଶୁଆ ଘୋଷେ ରାମନାମ

ଶାରୀ ଘୋଷେ ଶିବ

ମନଟି ମୋଅର ଭଜୁଥାଇ ଲୋ

ସେଇ ମହାଦେବ ||o||

 

ଶିବ ନାମ ଗଣ୍ଠିଧନ କରିଥିବି

ଶିବପାଇଁ ଭଜନ ମୁଁ ଗାଉଥିବି

ପଞ୍ଚାକ୍ଷାର ଶିବମନ୍ତ୍ର ଜପୁଥିବି

ମୃତ୍ୟୁଞ୍ଜୟ ମହାମନ୍ତ୍ର ଘୋଷୁଥିବି

ଶୁଆ ଡାକେ ହରିହରି

ଶାରୀ ଡାକେ ହର

ମନଟି ମୋଅର ଭଜୁଥାଇ ଲୋ

ଶିବ ମହାଦେବ I୧I

 

ସଂସାରର ମାୟା ଯେତେ ଭୁଲିଯିବି

ପୁଅବୋହୁ ସାହିଭାଇ ପାଶୋରିବି

ଭିକ୍ଷାଝୁଲା ହାତେ ଧରି ବୁଲୁଥିବି

ଶିବପାଦେ ଜୀବନକୁ ବିକିଦେବି

ଶୁଆ ଡାକେ ଗୋପୀନାଥ

ଶାରୀ ବଦ୍ରୀନାଥ

ମନଟି ମୋଅର ଭଜୁଥାଇ ଲୋ

ଶିବ ମହାଦେବ |୨|

ଏ ଜନମେ ଯେତେ ପୂଣ୍ୟ ଅରଜିଛି

ଆର ଜନମକୁ ଥାଉ

ଗୋପ ବୃନ୍ଦାବନେ ଜନମ ନେବିରେ

ଏଇ ରାଣ ମୋର ରହୁ ||0||

 

ସୁଦାମା ସୁବଳ ସଂଗେ ସଂଗ ହୋଇ

ଗରୁଡ଼ ପଛରେ ରହି

ଡାକ ଛାଡ଼ିଥିବି ରଖ ମହାବାହୁ

ତୁଣ୍ଡେ ନାମ ତୋର କହି

ମାଗିନି କିଛି ମୁଁ ମାଗୁଛି ଆଜିରେ

ନାମ ଗାଇ ପ୍ରାଣ ଯାଉ ||୧||

 

ଶ୍ରୀରାଧିକା ମାତ ଦେଖି ମୋର ନେତ୍ର

ପବିତ୍ର ହୋଇବ କାୟା

ନାଚିବି ଆନନ୍ଦେ କରତାଳି ଦେଇ

ଭୁଲି ସଂସାରର ମାୟା ।

ଶ୍ରୀଚରଣ ଦାସ କରୁଛି ମାଗୁଣି

ଏତିକି ସୁଦୟା ହେଉ || ୨ ||

 

ଶ୍ରୀଅଙ୍ଗ ତୁଳସୀ ମାଳ ଲୋ ବଉଳ

ଶ୍ରୀଅଙ୍ଗ ତୁଳସୀ ମାଳ

ହୀରା ଲୋଡ଼ା ନାହିଁ

ଲୀଳା ଲୋଡ଼ା ନାହିଁ

ଛୁଉଁ ଛୁଉଁ ହେଉ କାଳ ଲୋ ବଉଳ

ଶ୍ରୀଅଙ୍ଗ..... ||o||

 

କୋଇଲି ବୈକୁଣ୍ଠ ମୋ ଭାଗ୍ୟରେ ନାହିଁ

ନାହିଁ ଲୋ ସରଗ ଦ୍ଵାର

ମଲାଗଲା ବୋଲି ମଶାଣୀ ଭୂଇଁରେ

ଜାଳିଦେବ ଯୁଇ ମୋର

ନ ବିଞ୍ଚିଲେ ନାହିଁ ଖଇ କଉଡ଼ି ଲୋ

ସିଞ୍ଚିବ ତୁଳସୀ ଜଳ

ଶ୍ରୀ ଅଙ୍ଗ.... ||୧|

 

ମାଟିରୁ ମୁଠିଏ ନଦେଲେ ନାହିଁ ଲୋ

ନ ଦିଅ ଚନ୍ଦନ କାଠ

ମୋ ଅଙ୍କୁ ବସନ କାଢ଼ି ନିଅ ପଛେ

କି ହେବ ବଉଳ ପାଟ

ନ ଢାଲିଲେ ଘିଅ ଯୁଇରେ ମୋର ଲୋ

ଢାଳିବ ତୁଳସୀ ଜଳ

ଶ୍ରୀ ଅଙ୍ଗ... || ୨ ||

 

ଆଣିନି ସୁନା ଥାଳିଆ

ଆଣିନି ରୂପା ଥାଳିଆ

ମୁଁ ଆଣିଛି ଗଢ଼ି

ଭଳି ଭଳି ମାଟି କୋଡୁଆ

ମାଟି କୋଡୁଆ ସେତ ଭାରି ବଢ଼ିଆ

ଅଭଡ଼ା ରାନ୍ଧିବ ଜଗାକାଳିଆ ||o||

 

ଷାଠିଏ ପଉଟି ହେବ

ଦିଅଁଙ୍କୁ ଭୋଗ ଲାଗିବ

ଛଡ଼ା ତୁଳସୀ ଛଡେଇ ଦେଲେ

ଅଭଡ଼ା ଅଭଡ଼ା ବାସିବ

ଯିଏ ଖାଇବ ସିଏ କହିବ

ଭୋଗ କୁଡୁଆ ସେତ ଭାରିବଢ଼ିଆ

ମୁଁ ଆଣିଚି... I୧I

 

ତେର ପଉଟି ବ୍ୟଞ୍ଜନ

ଅମୃତ ମଣୋହୀମାନ

ବିମଳାଠାରେ ସମର୍ପିଦେଲେ

କାଳିଆ ବଳିଆ ଭୁଞ୍ଜିବ ।

ଆନନ୍ଦ ବଜାରେ ଡାକ ପଡ଼ିଯିବ

ଭୋଗ କୁଡୁଆ ସେତ ଭାରି ବଢ଼ିଆ

ମୁଁ ଆଣିଛି... ||୨|

 

ହଟ କରନାରେ ପଣ୍ଡା ପୁଅ

ଆସିଛି ଦେଖି କାଳିଆ ଦିଅଁ

ମୁଁ ପରା ଯାତିରି ଅତିଥି ତୁମରି

କୈବଲ୍ୟ ତୋରାଣି ମୁନ୍ଦିଏ ଦିଅ ||o||

 

କାନିକା ବେସର ଲୋଡ଼ାନାହିଁ ମୋର

ଅଭଡ଼ା ପଖାଳେ କରିଛି ଆଶ

ଭଙ୍ଗା କୁଡୁଆ ଭାରି ବଢ଼ିଆ

କଦଳୀ ପତର ହୋଇବ କିସ ।

ନୁହେଁ ମୁଁ ଦାସିଆ ନୁହେଁ ମୁଁ ବନ୍ଧୁଆ

ମାହାସୁଲ ଯାହା ନବରେ ନିଅ

ହଟ କରନାରେ.... || ୧ ।

 

ନଟିଆ କୁଟିଆ ହଟିଆ ହରି

ହରୁ ବା ନ ହରୁ ଦୁଃଖ ମୋହରି

ଶରଧାବାଲି ଆସରା କଲି

ତୋ ମାୟାରେ ଜାୟା ପାଶୋରିଦେଲି

ନାହିଁ ମୋର ହାରି ନାହିଁ ଗୁହାରୀ

ଜଗା ଦରଶନ କରେଇ ଦିଅ

ହଟ କରନା ରେ... || ୨ ||

 

ଆଖିର ଲୁହରେ ସଳିତା ଭିଜାଇ

ଜାଳୁଛି ଦୀପାଳି

ଦୁଃଖ ଦରିଆରେ ତୋ ରଥକୁ ଚାଳି

ପାରୁନି ଓଗାଳି

ମୋ ମନ ଦୁଆରେ ||0||

 

ହତାଶା ନଈର ବତାସୀ ଝଡ଼ରେ

ମୋ ମନ ଦୀପାଳି

ପାରୁନି ଜାଳିରେ

ଭଙ୍ଗା ନାଆରେ ଭକତି ଆଞ୍ଜୁଳି

ଟେକୁଛି କାଳିଆ

ଉଛୁଳା ଜଳରେ ।୧I

 

ଜୀବନ ମରୁର ସାହାର ଭୂଇଁରେ

ପାରୁନି ଅଜାଡ଼ି

ସାଇତା ଲୁହରେ

ତଥାପି କାଳିଆ ଜଳିଯାଏ ଆଜି

ସଳିତାଟେ ହୋଇ

ଅବେଳା ସଂଜରେ || ୨ ||

 

ଟୁପୁରୁ ଟୁପୁରୁ ମେଘ ବରଷିଲା

କାଳିଆକୁ ହେଲା ଜର ଲୋ ବଉଳ

କାଳିଆକୁ ହେଲା ଜର

ଦଶମୂଳା ପାଣି କାଟୁ କରୁ ନାହିଁ

କି ବୁଦ୍ଧି କରିବ କରଲୋ ବଉଳ

କାଳିଆକୁ ହେଲା ଜର ||o||

 

ଅଣସର ଘରେ ଚହଳାପଡ଼ିଲା

ଚନ୍ଦନ ତୁଳସୀ ଜଗା ନ ଘେନିଲା

କରିଲା କିଏ ସେ ମନ୍ତର

ଆସ ଗୋ ଲଳିତେ

ଆସ ଗୋ ବିଶାଖେ ।

ଆସିଲୋ ବଉଳ ଆସ

କାଳିଆ ଦେହରେ ଖଇଫୁଟା ତାତି

ଧକ ଧକହେଇ ଥରୁଛି ତା ଛାତି

ଧିରେ ଧିରେ ହାତ ମାର

କାଳିଆକୁ.... I୧I

 

ସପନେ କାଳିଆ କହିଛି ଖୋଲି

ତା ମନ ଝୁରୁଛି ଯମୁନା ବାଲି

କରିଲା କିଏ ସେ ମନ୍ତର

ଆସଗୋ ଲଳିତେ

ଆସଗୋ ବିଶାଖେ

ଆସ ଲୋ ବଉଳ ଆସ

ରାଧା ଧରିଆସୁ ପ୍ରେମକଳସୀ

ଫୁଟାକଳସୀରୁ ପାଣି ନ ପଡୁ ଖସି

ଭଲହେବ ପ୍ରେମଜର ଲୋ ବଉଳ

କାଳିଆକୁ...... || ୨ ||

ଗୋଟିଏ ଭକତକୁ କୋଟିଏ ପଣ୍ଡା

ମଥାରେ ତିଳକ ହାତରେ ଧଣ୍ଡା

କାଳିଆ ଦେଖେଇ ନବୁ

ବେଢ଼ାରେ ବୁଲେଇ ଦେବୁ

ଏଠିପକା ସେଠି ପକା ।

ଅଣ୍ଡାରୁ କଉଡ଼ି କାଢ଼ି କରନ୍ତି ଲଣ୍ଡା

ସେ ତ କାଳିଆର ପୂଜାପଣ୍ଡା’ ||o||

 

ଅଣ୍ଟାରେ ଯଦି କଉଡ଼ି ନାହିଁ

କାଳିଆ ଦେଖା ମିଳିବ ନାହିଁ

ବାଟ ଜଗିଛି ପଣ୍ଡା

ବେତ ହଲେଇ ଚନ୍ଦନ ନାଇ

ନେ କାଳିଆ ଖା କହି

ବଡ଼େଇ ଦିଏ ଧଣ୍ଡା

ସେ ତ କାଳିଆର ପୂଜାପଣ୍ଡା ।। ୧I

 

ବାପା ଅଜା ଚଉଦ ପୁରୁଷ

ଜାତି ଗୋତ୍ର କହରେ ବୟସ

ପଚାରେ ଭାଇ ପଣ୍ଡା

ଇଆଡ଼େ ଅନା ସିଆଡ଼େ ଅନା

ମିଛୁଟାରେ ଯେତେ ବାହାନା ।

ଅଣ୍ଟାରୁ ସରିଲେ ହୁଏ ଥଣ୍ଡା

ସେ ତ କାଳିଆର ପୂଜାପଣ୍ଡା |୨|

 

ବାସ ଚନ୍ଦନ ଲୋ ସଖୀ ବାସଚନ୍ଦନ

ଲଗାନା ଲଗାନା ଆଉ ଏତେ ଅତର

ବାସିଲେ କାଳିଆ କାହ୍ନୁ।

ମହକି ଉଠିବ ରାଧା ଗୋରୀ ବସନ

ବାସ ଚନ୍ଦନ..... ||୦||

 

ବାସିହେଲା ସଜଫୁଲ

ଫିଟିଗଲା ଗଭା ମୋର

ମୋ ପାଦ ନିଥର ହେଲା

ଘୁଙ୍ଗୁର ମୋ ଛିଣ୍ଡିଗଲା ସଖୀଲୋ

ପହଡ଼ ପଡ଼ିଲା ନାଚ ମୋ ସରିଲା

ଯେତେ ନାଚିଲେ ତାର ବୁଝିଲାନି ମନ

ବାସ ଚନ୍ଦନ..... ॥୧॥

 

ଫୁଲରେ କରି ଝୁଲଣା

ତୋଳି ତୁଳସୀ ଦୟଣା

କାହ୍ନୁ ବୋଲି ପାଶେ ଗଲି

ସରମେ ତନୁ ଚୁମିଲି ସଖୀ ଲୋ

ରାଧା ହେଲା ତା ନିଜର ମୁଁ ହେଲି ପର

ନବାସିଲା କିଆଁ ଆଉ ମୋର ବସନ

ବାସ ଚନ୍ଦନ....... ||୨|

 

ପୁରୁସ୍ତମ କୁମ୍ଭାରୁଣୀ

କାଳିଆ ମନ ଜାଣି

ମୁଁ ଆଣିଛି ଗଢ଼ି

ଭଳି ଭଳି ମାଟି କୋଡୁଆ

ମାଟି କୋଡୁଆ ସେ ତ ଭାରିବଢ଼ିଆ

ଅଭଡ଼ା ରାନ୍ଧିବ ଜଗାକାଳିଆ ||o||

 

ଷାଠିଏ ପଉଟି ହେବ

ଦିଅଁଙ୍କୁ ଭୋଗ ଲାଗିବ

ଛଡ଼ାତୁଳସୀ ଛଡ଼େଇ ଦେଲେ

ଅଭଡ଼ା ଅଭଡ଼ା ବାସିବ

ଯିଏ ଖାଇବ ସିଏ କହିବ

ଭୋଗ କୁଡୁଆ ସେତ ଭାରି ବଢ଼ିଆ

ମୁଁ ଆଣିଛି..... ୧|

 

ତେର ପଉଟି ବ୍ୟଞ୍ଜନ

ଅମୃତ ମଣୋହୀମାନ

ବିମଳା ଠାରେ ସମର୍ପି ଦେଲେ

କାଳିଆ ବଳିଆ ଭୁଞ୍ଜିବ

ଆନନ୍ଦ ବଜାରେ ଡାକପଡ଼ିବ

ଭୋଗ କୁଡୁଆ ସେତ ଭାରି ବଢ଼ିଆ

ମୁଁ ଆଣିଛି.... || ୨ ||

 

ମା ଝିଅ ଦୁହେଁ ମନ୍ଦିର ଗଲେ

ଜଗା ଆଗେ ମନ ଖୋଲି କହିଲେ ॥0॥

 

ମା କହିଲା ଝିଅଲୋ

କି ବର ମାଗିଲୁ କହଲୋ

ଝିଅ କହିଲା ମା

ମୁଁ ମୋର ମାଗିଲି ଯାହା

ତତେ କି କହିବି ତାହା

ମନକଥା କିଏ ଖୋଲି କହିବ

ମନର ମଣିଷ ସିନା ବୁଝିବ

ମାଲୋ ମା

କହିବି ଖୋଲି

ମନର ଝୁଲି

ତୁ କି ବର ମାଗିଲୁ ଆଗେ କହିଲେ

ମା ଝିଅ.... I୧IL।

 

ମା କହେ ଆରେ କଳାକହ୍ନେଇ

ଆରେ ଥରେ ମୁଁ ନେବି କୋଳେଇ

ତୁ ମୋର ପୁଅ ମୁଁ ତୋର ମା

ତୁ ମୋର ସାହା ତୁ ମୋର ରାହା

ଝିଅ କହେ ସେ ତ କାହ୍ନୁ ନାଗର

ମନରେ ବଇଁଶୀ ବଜାଏ ମୋର

ସେ ପରା ମୋର ମୁଁ ପରା ତାର

ଗୋପନେ ମନ୍ଦିରେ ଡାକିଛି ମତେ

କେମିତି କହିବି ଏ କଥା ତୋତେ

ମାଲୋ ମା ।

କହି ମୁଁ ଦେଲି

ମନକୁ ଖୋଲି

ଲାଜ ଲାଗେ ଜଗା ଆଖି ମିଶିଲେ

ମା ଝିଅ...... || ୨ ||

 

ତୁ ନେଲୁ ନାହିଁ ରଥରେ ବୁଲେଇ

ତୋ ଘରଣୀ ଗଲା ରୁଷି

ରଥରେ ଝୁଲିଲୁ

ମଜାରେ ବୁଲିଲୁ

ଫେରିଲୁ ତୁ ହସି ହସି

ମୁଁ ନେଲିନାହିଁ ରଥକୁ ବୁଲେଇ

ମୋ ସଂସାର ଗଲା ଭାସି

ବାପଘର ଗଲା

ଲେଉଟି ନଇଲା

ମତେ ଦେଲା ଖଡୁ ଭୂଷି

ମୋ ଘରଣୀ ଗଲା ଋଷି ।/୧

 

ତୋ ଘରଣୀ ଲକ୍ଷ୍ମୀ ଠାକୁରାଣୀ

ତତେ ବାଢ଼ିଦିଏ ଅଭଡ଼ା ଆଣି

ବେସର ଖିରୀ

ମହୁର ପୁରୀ

ଖାଉଛୁ ତୁ ମନ ଖୁସି

ମୋ ଘରଣୀ ମୋ ଘରମଣୀ

ମତେ ବାଢ଼ିଦିଏ ବାସି ତୋରାଣୀ

ସଞ୍ଜ ସକାଳ

ବାସି ପଖାଳ

ଖାଉଛି ମୁଁ ବସିବସି....ରେ ।

ମୋ ଘରଣୀ ଗଲା ଋଷି || ୨ ||

 

ଯେତେ ପଢ଼ିଲେ ଭାଗବତ ଲୟକରି

ଘର ଧରୁନି ମନ ମୋଅରି

ମିଛ ସଂସାରେ ଜନମ ଦେଲହେ ହରି

ମୋହ ମାୟାରେ ମନକୁ ଭରି ।o ||

 

ମୋ ମନକୁ ଘର ଧରେଇ ଦେ

ଅଣ ଅକ୍ଷର ପଢ଼େଇଦେ

ଜଗମୋହନ ପୂଣ୍ୟଧାମ

ଓମ୍‌କାରରେ ନାମବ୍ରହ୍ମ

ବ୍ରହ୍ମନାଦକୁ ଶୁଣେଇଦେ

ଭବ ହୋଇବ ଏ ଜୀବ ପାରି

ଘର ଧରୁନି...... |୧|

 

ମୋ ମନରୁ ମାୟା ଦୂରେଇ ଦେ

ଭାବ ଦୁନିଆରେ ବୁଡେଇ ଦେ

ଘରକୁ ଦେଲି ପାଶୋରୀ

ଅଘରକୁ ଘର କରି

ଘର ମୁହାଁ ମୋତେ କରେଇ ଦେ

ହାଟ ସଉଦା ଦେଲେଣି ସାରି

ଘର ଧରୁନି ..... ॥୨ ॥

 

ହାଁଙ୍କୁ ଦବଲ ହେଇ ହେଇଆ

ବେହେରା ପୁଅରେ ବେଗି ଚାଲିଆ

ସୁନା ପାଲିଙ୍କିରେ ଠାକୁର ରଜା

ଆଗେ ପାଟହାତୀ ପଛର ଛତା

ରଙ୍ଗେଇ ବାଜୁଛି ତେଲିଙ୍ଗା ବାଜା

ବଜା ବଜା ବଜା ବଜାରେ ବାଜା

ରଥରେ ଡାକୁଛି ଆମ କାଳିଆ

ବେହେରା..... ||o||

 

ନାହାକ ଗାହାଣ ଆଗେ ଚାଲିଛନ୍ତି

ପୁରୋହିତ ପୁଅ ମନ୍ତ୍ର ପଢୁଛନ୍ତି

ଚାଲିଛି ଆଳତି ବାସୁଛି ଧୂପ

ହେଇ ଦିଶିଲାଣି କାଳିଆ ରଥ

ଏଇଠି ଖାଲରେ ଏଇଠି ଢିପ

ହଲିବ ପାଲିଙ୍କି ପାଦ ଗଣୁଥା

ବେହେରା...... ||୧||

 

ବେକରେ ପଡ଼ିଛି ଆଜ୍ଞାମାଳଟି

ଜଗା ପଠେଇଛି ପଣ୍ଡା ହାତେଟି

ମୁଣ୍ଡରେ ମୁକୁଟ ହାତେ ଖଡ଼ିକା

ରଥ ଝାଡୁଦେବେ ଠାକୁର ରଜା

ହେଇଟି ରଥରେ ଏଇଠି ରଖ

ହୁଳହୁଳି ହରିବୋଲ ଦଉଥା ।

ବେହେରା........ || ୨ ||

 

କାଳିଆର ତୁଳସୀ ମାଳିଆର ଛଡ଼ାତୁଳସୀ

ଗାଧୋଇ ପାଧୋଇ ତୁଣ୍ଡେ ଦେବି ବୋଲି ଥିଲି ମନାସୀ

ଆଜି ପରା ଏକାଦଶୀ

ପୁଣ୍ୟତୀର୍ଥ ବାରମାସୀ

କିପାଇଁ ଯିବି ମୁଁ କାଶୀ

ପାଇବି ସକଳ ପୁଣ୍ୟ ବଡ଼ଦାଣ୍ଡେ ବସି ବସି ||o||

 

ଦେ ପଣ୍ଡାପୁଅ ଦେ ବଢ଼େଇ

ନବୁ ପଛେ ମାହାସୁଲ ଚଢ଼େଇ

ଶ୍ରୀକ୍ଷେତ୍ର ବାଲିରେ ଗଡ଼େଇ ତଡ଼େଇ

କଳପବଟରେ ଗୋଡ଼ି ଝୁଲେଇ

ନାଲି ନାଲି କେଡ଼େ ନାଲି ଚଢେଇଛୁ ପାନଖିଲି

କାଳିଆର କୋଠପୁଅ ତୁ ମୋର ଶ୍ରୀକ୍ଷେତ୍ରବାସୀ

କାଳିଆର ତୁଳସୀ....... I୧I

 

ବାଇଶ ପାହାଚ ଦବୁ ଚଢ଼େଇ

ପାତକ ନାଶନ ବେତ ବାଡ଼େଇ

ଅଭଡ଼ା କୋଡୁଆ ମଥାରେ ଛୁଆଇଁ

ପେଜନଳା ପେଜ ଦବୁ ପିଆଇ

ପଣ୍ଡା ପୁଅ ହେଇ ନଣ୍ଡା ଖାଉଥା ତୁ ଗଜାମଣ୍ଡା

ପେଜ ମୋର ବୃନ୍ଦାବନ ସେଇ ମୋର କାଶୀ

କାଳିଆର ତୁଳସୀ ......... || ୨ ||

 

ଗୋପି ପିନ୍ଧାଲୁଗା କଲୁ ଶ୍ରୀକ୍ଷେତ୍ରେ ବାନା

ଅଧା ପ୍ରୀତିଯୋଗୁ ଅଧାକାଳିଆ ନନା

ଗୋପର ଗୋପାଳ କେଡ଼େ ତା କପାଳ

ଶ୍ରୀକ୍ଷେତ୍ରେ ବିକୁଛି ପ୍ରଭୁଛଡ଼ା ମାଳ

ଅକ୍ରୂର ରଥଟି ତାର ନନ୍ଦିଘୋଷ

ଉଡ଼ିଗଲାଣି କର୍ପୂର ପଡ଼ିଛି କନା ||o ||

 

କେତେ କାନ୍ଦିଲେ କାନ୍ଦଣା ଗୁଣ୍ଡିଚାରାଣୀ

କେତେ ନିନ୍ଦିଲେ କପାଳ ରାଜାଙ୍କ ମଣୀ

କେହି ପାରିଲେନି ଜାଣି

ରାଧା ଲୁହ ଯୋଗୁ ଅଧା ଜଗତମଣି

ଲୁଚି ଲୁଚି କୁଞ୍ଜଗଲା ନ ମାନି ମନା

ଅନା ଅନାରେ ଉଡୁଛି ନାଲିଆ ବାନା

ଅଧା ପ୍ରୀତି....... I୧I

 

ଗୋପାଲୁଣୀ ଖୁଆଇଲା ସରଲବଣୀ

ମୋହନ ମୂରଲୀଶୁଣି ହେଲା ବାୟାଣୀ

କେହି ପାରିଲେ ନି ଜାଣି

ମୁନିଜନ ପାଇଁ ହେଲେ ସେ ବେଣୁପାଣି

ଯମୁନା ଘାଟରୁ ଗାଧୁଆ ତୁଠରୁ

କଦମ୍ବ ଡାଳରେ ଶ୍ରୀକ୍ଷେତ୍ର ଚୂଳରେ

ଗୋପୀ ପିନ୍ଧାଲୁଗା ବାନ୍ଧିଲା ବାନା

ଅନା ଅନାରେ... || ୨ ||

 

ହୋ ଭାଇନା

ପୁରୀରେ ହୋଟେଲ କରିଛି

ଆମରି କାଳିଆ ନନା

ଆନନ୍ଦ ବଜାର ଯାତିରି ହଜାର

କାହାକୁ କରେନା କେବେ ସେ ମନା

ହୋ ଭାଇନା........ ||o||

 

ବେସର କ୍ଷିରୀ ମହୁର ପୁରୀ

ଖାଇବାକୁ କେତେ ମିଠା

ସରୁ ଚକୁଳି ସରପୁଳି

ତା ସାଥେ ଆମ୍ବଖଟା

ଯେତେ ଖାଇଲେ ସରିବ ନାହିଁ

ମାଗିଲେ ନନା ଦବ ବଢ଼େଇ

ଅସରା ପସରା ଅଭଡ଼ା କୋଡୁଆ

ବସିଛି ଧରି ଆମ ନନା

ହୋ ଭାଇନା........ |୧|

 

ବାସି ତୋରାଣୀ ଦହିପାଣି

ଶୋଷିଲା ତଣ୍ଟି ମିଠା

କାନିକା ଡାଲି ଅଳପ ଖାଆ

ଖାଇବୁ ପୋଡ଼ ପିଠା

ଅଣ୍ଟାରେ କଉଡ଼ି ନଥିଲା ନାଇଁ

ମନ ଉଣା ଜମା କରିବୁ ନାହିଁ

ଭକତ ପତରୁ ଛଡ଼େଇ ଖାଇବୁ

ଆନନ୍ଦ ବଜାରେ ଚକା ପକେଇ ବସିବୁ

ପଣ୍ଡାଭାଇ ଟିକେ ଇଆଡ଼େ ଅନା ।

ହେ ଭାଇନା...... ||୨||

 

ପୁରିଲା କାଳ ସରିଲା ବେଳ

ସରି ସରି ଯାଏ ଯୁଗ

କି ହେବ ମନୁଆ ହେଲେ ସଜାଗ

ଲିଲି ଗଲାବେଳେ ଦୀପ

ହୁତୁ ହୁତୁ ଜଳେ ଦୀପ ଲିଭିଲା ବେଳେ

ବଢ଼ି ଗଲାଣି ପାପର ଭାରା ଏକଳି କାଳେ ||o||

 

ବଡ଼ ଦେଉଳରୁ ପଥର ଖସିଲା

ରତ୍ନ ଚାନ୍ଦୁଆରେ ନିଆଁ ଲାଗିଗଲା

ଗଙ୍ଗା ଯମୁନାରୁ ପାଣି ସୁଖିଲାଣି

ତଥାପି ମନୁଆ ମଣୁଛି ମିଛ।

ସଜାଗ ହୁଅରେ ପତିତ ମ୍ଳେଛ

ବଂଚିଥିବୁ ଯେତେଦିନ ଏ ମହୀ ତଳେ

ହୁତୁ ହୁତୁ..... ||୧|

 

ମାଳିକାବଚନ ମାନୁଥାରେ ଧନ

ଗାରଠାରସବୁ ହେଲାଣି ସତ

ଛତିଆ ଗାଦିରେ ଗହଳ ଚହଳ

କଳାଧଳା ଘୋଡ଼ା ହେଲେଣି ସଜ

ପାପ ବିନାଶିବେ କଳାଧଳା ଭାଇରୁ ହଳେ

ହୁତୁ ହୁତୁ ..... || ୨ ||

 

ଦେଖ ଲୋ ରାଧାମାଧବ ଚାଲି

ଉଠୁଛି ପଡୁଛି ଶରଧା ବାଲି

ଆଗକୁ ଝୁଲୁଛି

ପଛକୁ ହଲୁଛି

ଚାଲିରେ ଫୁଟଇ ଚହଟ ମଲ୍ଲୀ

ଇଲୋ ମାଆଲୋ... ମୋ ବୋପା ଲୋ ||o||

 

ଯୋଡ଼ି ବେନିକର ଖୁଣ୍ଟିଆ ଉଭା

ମଥାକୁ ଟାହିଆ ପାଉଛି ଶୋଭା

ମୁରୁକି ହସୁଛି

ପହଣ୍ଡି କରୁଛି

ଆସୁଛିରେ କାଳିଆ ଝୁଲି ଝୁଲି

ଇଲୋ ମାଆଲୋ......ମୋ ବୋପା ଲୋ |୧|

 

ଆସରେ କାଳିଆ ଭିଡ଼କୁ ପେଲି

ପଛେ ପୁଷ୍ପାଳକ ଦେଉଛି ଠେଲି

ଟାହିଆ ହଲୁଛି

ଦାଣ୍ଡ ଦୁଲୁକୁଛି

ତାର ଅଧରର ହସ ନାଲି

ଇଲୋ ମାଆଲୋ..........ମୋ ବୋପା ଲୋ ||୨|

 

ସିଂହାରୀ ଧରିଛି ଅଣ୍ଟା ଦଉଡ଼ି

ଡାହୁକ ହାତରେ ବେତର ବାଡ଼ି

ମୃଦଙ୍ଗ ବାଜୁଛି

ଘଣ୍ଟ ବି ବାଜୁଛି

ଦୁଲୁକି ଉଠୁଛି ଶରଧା ବାଲି

ଇଲୋ ମାଆଲୋ....ମୋ ବୋପା ଲୋ || ୩ ||

 

ସୁନା ସୋରିଷିଆ ଖରାରେ

ସୁନା ସୋରିଷିଆ ଖରା

କଳା ରଂଗ ବୋଲି କୁହନା କାଳିଆ।

ସେତ କୋହିନୂର କଳା ହୀରାରେ ||o||

 

ଆସଲୋ ସଙ୍ଗାତ ଆସଲୋ ମିତ

ଆଜି ପରା ରଥଯାତ

ମନ ଛକପକ ଛାତି ଦକଦକ

ରଥ ଦେଖିଯିବୁ ପରାରେ

ରଥ ଦେଖିଯିବୁ ପରା

ସୁନା ସୋରିଷିଆ.... |୧|

 

ସକାଳୁ ପ୍ରଣତି ସଂଜକୁ ଆଳତି

ଜପୁଛି ନାମକୁ ନିତି

ତା’ ରଥ ଦଉଡ଼ି ସରଗକୁ ସିଡ଼ି

ଉଆଁସ ରାତିର ତାରାରେ

ଉଆଁସ ରାତିର ତାରା

ସୁନା ସୋରିଷିଆ... || ୨ ||

 

ଯୋଗୀ ବଇରାଗୀ ଭୋଗୀ ଅନୁରାଗୀ

କରନ୍ତି ଚନ୍ଦନ ଲାଗି

ତା’ ରଥ ଶଗଡ଼ି ଯାଏ ଗଡ଼ି ଗଡ଼ି

ସଭିଙ୍କ ଠାକୁର ପରାରେ

ସଭିଙ୍କ ଠାକୁର ପରା

ସୁନା ସୋରିଷିଆ... | ୩ ||

 

ମା ଲୋ ମଲି ସପନ ଦେଖିଲି ରାତିରେ କାଲି

ମୋ ଘର ଅଗଣା ଚନ୍ଦନ ବାସିଲା

ଅଗରୁ ଚନ୍ଦନ ବାସ ଚହଟିଲା

କାଳିଆ ଛୁଆଁରେ ନିଦ ଭାଙ୍ଗିଗଲା

ତାକୁ ଧରୁ ଧରୁ ଗଲା ଚାଲି ||o||

 

ମୋ ବାଡ଼ି ଦରଜା ତାଲା ପଡ଼ିଥିଲା

ଘର ଅଗଣାରେ ଜଗୁଆଳି ଥିଲା

ତାଲା କେମିତି ଖୋଲିଲା

କାହ୍ନୁ କେମିତି ଅଇଲା

ସଜନୀ ଲୋ ମୋତେ ଛୁଇଁଲା

ମନ ଦରଜାଟି ଦେଲା ଖୋଲି ॥୧॥

 

ଧକ ଧକ ହେଇ ଥରୁଚି ମୋ ଛାତି

ମୋ ସାରା ଦେହରେ ଖଇଫୁଟା ତାତି

ଭାବି ଭାବି ରାତି ପାହିଲା

ମୋ ଆଖିକୁ ନିଦ ନଇଲା

ସଜନୀ ଲୋ ତା ଛୁଆଁ ମନ ଲୋଡ଼ିଲା

ମୁଁ ଯେ ପାରୁନାହିଁ ତାକୁ ଭୁଲି ।। ୨ ||

 

କେଡ଼େ ରଙ୍ଗେଲୋ ସେ ରଙ୍ଗମଣି

ଦେଖ ଆସୁଛି ମଉଡ଼ମଣି

ତାର ଅଙ୍ଗକୁ ଅନା

ଢ଼ଙ୍ଗକୁ ଅନା

ମନକୁ ଜିଣି ଅପୂର୍ବ ଠାଣି

ରଙ୍ଗ ରଙ୍ଗଣୀ ମଥାର ମଣି 0||

ନାକ ଟାଉଁ ଚାଉଁ ନାକର ଗୁଣା

କଳା ରଙ୍ଗେ କରେ ଜଗତ ବଣା

ତାର ରଥକୁ ଅନା

ପଥକୁ ଅନା

ସବୁଠି ବାଜୁଛି ସେଇ ବାଜଣା

ରଥେ ବୁଲିଯିବେ ମୋ କ୍ଷେତ୍ରମଣି

କେଡ଼େ ରଙ୍ଗେଲୋ...... ||୧||

 

ତର ସହୁ ନାହିଁ ଦଇତା ପୁଅ

ବଡ଼ ପଣ୍ଡାଠାରୁ ଆଜ୍ଞାଟି ନିଅ

ତାର ଛଇକୁ ଅନା

ଛଟାକୁ ଅନା

ବରଷକେ ଥରେ ସେ ଗେହ୍ଲାପୁଅ

ରଥରେ ସେବିବ ଜଗତମଣି

କେଡ଼େ ରଙ୍ଗେଲୋ...... ||୨|

 

ଡାହୁକ ଡାକୁଛି ରୁହରେ ରୁହ

ମୋ କଥା ଟିକିଏ ଜଗାକୁ କୁହ

ତାର ବେତକୁ ଅନା

କଥାକୁ ଅନା

ମିଠା ମିଠା ଗାଳି ଶୁଣିବ ରୁହ

ଚିନ୍ତା ଭୁଲିଯିବ ସେ ଚିନ୍ତାମଣି ।

କେଡ଼େ ରଙ୍ଗେଲୋ.......... || ୩ ||

 

ବାନ୍ଧିବି ମୁଁ ଘୁଙ୍ଗୁର ପାଦରେ

ଆଜି ନାଚିବି ମୁଁ ନାଟ ମଣ୍ଡପରେ

ଫିଟିପଡୁ ପଛେ ପାଦର ନୂପୁର

ମୋହିବି ତୋ ମନ ଜୀବନରେ ଥରେ ||o||

 

ଲିଭିଗଲେ ଯାର ଆଖିରୁ କଜଳ

ଝରିପଡୁ ପଛେ ପାଦରୁ ରୁଧିର

ମୋ ଅଙ୍କୁ ବସନ ଫିଟି ଲୋଟିଯାଉ

ସରିଯାଏ ପଛେ ଲାଜ ସରମରେ

ବାନ୍ଧିବି.......||୧||

 

ଶୁଣିବାକୁ ତୋର ବଂଇଶୀ ସୁର ।

ମୋ ମନ ରାଧିକା ହେଲାଣି ଅଧୁର

ଭାବର ଯମୁନା ଉଜାଣି ବହୁଛି

ନାଚିଯା କାଳିଆ ମୋ ସାଥିରେ ଥରେ

ବାନ୍ଧିବି........ ||୨|

 

ଶଶିମଣି ଭାଗ୍ୟ ସତେ କି ହେବ

ଦେବଦାସୀ ଜନ୍ମ ମୋତେ ମିଳିବ

ମୋ ଜୀବ ଜୀବନ କୈଶୋର ଯଉବନ

ହୋଇବ ଧନ୍ୟ ତୋରି ଛୁଆଁରେ

ବାନ୍ଧିବି....... I୩ ||

 

ମୋ ପାଦେ ବାନ୍ଧିଦେଲ ନୂପୁର

ନାଚିବି ମନ୍ଦିରେ ତୁମର

କାଳିଆ ମୁହଁକୁ କେହି ରସିଲେନି

ମୁଁ ରସିଗଲି ନାଗର ||o||

 

ବାରମାସେ ତେର ପରବ କରିଲ

ନାନା ରଙ୍ଗେ ରଂଗ ହେଲ

ରଂଗିଆ ଅଧର ହୁନ୍ଦର କରିଲ

ବଇଁଶୀ ବଜେଇ ଦେଲ

ରୂପସୀ ଯୁବତୀ ନାଚ ଦେଖିବାକୁ

ମନକି ବଳିଲା ତୁମର

ମୋ ପାଦେ.... I୧I

 

ହୃଦୟରେ ଶୁଆଶାରୀ ଆଙ୍କିଥିଲି

ଲକ୍ଷେ ମଲ୍ଲୀ ଫୁଟାଇଲ

ମନ ବଗିଚାରେ ମାଳି ଖୋଜୁଥିଲି

ତୁମେ ପାଶେ ମିଳିଗଲ

ପାଦର ନୂପୁର ଫିଟିପଡ଼ିଲା ମୋ

ମନବନ୍ଧା ଥୁଲା ତୁମର

ମୋ ପାଦେ..... || ୨ ||

 

ମାଣିକର ଦହି ଭଲଲାଗେ ବୋଲି

ଦହିର ପସରା ମେଲି

ଶରଧା ବାଲିରେ ଅତି ଶରଧାରେ

ବସିଛି ମୁଁ ଦହିବାଲି |୦|

 

ନବୁତ ନେ ମୋ ଦହିନେ

ଶୋଷ ମେଣ୍ଟିଯିବ ଢୋକେ ପିଇଦେ

ମାଣିକର ଦହି ପାଶୋରୀ ବେ

ଅଣ୍ଟାରେ କଉଡ଼ି ନଥିଲା ନାଇ

ମୁଦିବନ୍ଧା ଜମା ମାଗିବି ନାହିଁ

କହ୍ନେଇରେ ମନବନ୍ଧା ଦେଇଦେ

ସାତ ସିନ୍ଦୁକରେ ସାଇତିବି ନେଇ

ତୋତେ ମୋର କଥା ଦେଲି

ଶରଧା ବାଲିରେ...... ||୧||

 

ପସରା ଆଗରେ ଗରାଖ ଭିଡ଼, ଦହି ପିଇବାକୁ କରନ୍ତି ଗୋଳ

ହେଲେ ଟୋପେ ଦହି ବିକି ନାହିଁ

ବସାଦହି ନୁହେଁ ପ୍ରେମର ଦହି ମନର କଥାଟି ପାରୁନି କହି

ତୋ ପାଇଁ ସାଇତା ଏ ମୋର ଦହି

ଦହି ପିଇବାକୁ କଳା ନାଗରରେ

କେବେତୁ ଆସିବୁ ଚାଲି

ଶରଧା ବାଲିରେ............... ||୨|

 

ତୁମକୁ କିଏ ସେ ନିନ୍ଦିଲେ ପ୍ରଭୁ ହେ

ମୋ ମନକୁ କାହିଁ ବାଧେ

ମୋ ଛାତିରେ ଏତେ ମୁଗ୍ଧ ଅନୁଭବ

ମୁଁ ତୁମର କେହି ବୋଧେ .... ||o||

 

ଫୁଲବି ଯେମିତି କଣ୍ଟାବି ସେମିତି

ଅନୁଭବ ହୃଦୟର

ଏ ଭାବ ଏମିତି ଅବୁଝା ଯେମିତି

ରଙ୍ଗମଞ୍ଚ ଜୀବନର

କେଉଁ ନାମ ଦେବି ଆମ ଏ ଭାବକୁ

ମୀରା କହିବି ନା ରାଧେ

ମୁଁ ତୁମର.... ||୧|

 

ସୁଖର କାକଳି ଲୁହରେ ଓଗାଳି

ଭାବର ଠାକୁର ହରି ।

ହସରେ ସଂଖୋଳି ଦୁଃଖରେ ପଖାଳି

ସବୁ ଭାବେ ଅଛ ଧରି

କେଉଁ ନାମ ଦେବି ଆମ ଏ ଭାବକୁ

ପୂର୍ଣ୍ଣ କହିବି ନା ଅଧେ ।

ମୁଁ ତୁମର.... ୨|

 

ସରଗ ସୂତା ଗଜମୁକୁତା

ମୁଣ୍ଡରେ ଓଢ଼ଣୀ ପାଦେ ଅଳତା

ବେଣୀରେ ବାନ୍ଧି ରିବନ ଫିତା

ପିନ୍ଧି ପାଟ ଶାଢ଼ୀ ପେଡ଼ି ସାଇତା

ବାହୁରେ କୁଟେଇ କେଲୁଣୀ ଚିତା

ଘଟ ଗାଁ ଯିବ ମୋ ରଙ୍ଗଲତା ମୋ ରଙ୍ଗଲତା ||o||

 

କିଣି ରଖିଛି ମାଟିର ଘୋଡ଼ା

ନାଲି ମନ୍ଦାର ଫୁଲର ତୋଡ଼ା

ମିଠାଇ କୋରା କାକରା ପେଡ଼ା

ଧୂପ, ଦୀପ ପୁଣି ଗୁଡ଼ି ଉଖୁଡ଼ା

କାନିରେ ବାନ୍ଧିଛି ନଡ଼ିଆ ଯୋଡ଼ା

ପୂଜିବ ଶାଳବଣ ଦୁହିତା

ଘଟଗାଁ......... ||୧|

 

ଏତେ ଦିନକେ ଲାଗିଛି ଡୋରି

କେତେ ବ୍ରତ ଉପବାସ କରି

ଦୁନିଆ ଜଞ୍ଜାଳ ଏଡ଼ି

ଏ ଭବ ସାଗର ହୋଇବି ପାରି

ମୋ ମା ତାରିଣୀ ନାଁକୁ ଧରି

ମନରେ ନାହିଁ ଟିକେ ମୋ ଚିନ୍ତା

ଘଟଗାଁ....... ||୨|

 

ଦିନ ଯାଉ ଚିହ୍ନ ରହୁ

ମୋ ଆଖିରେ ସେ ରୂପ

ମୋ ଛାତିରେ ସେ ଭାବ

ଓଠରେ ଗୋବିନ୍ଦ ନାମ ଥାଇ ॥0॥

 

ଏ ଧରାଧାମରେ ଯିଏ ଜନମିବେ

ମାଟିଘଟ ଛାଡ଼ିଯିବେ ଦିନେ

ପୁତ୍ର ଦାରା ଯେତେ ସଂପର୍କ ଯୋଡ଼ିଲେ

ମନରୁ ପାଶୋରି ଦେବେଟି ଦିନେ

ଲିଭିଗଲେ ଯାଉ ଜୀବନ ପ୍ରଦୀପ

ଏତିକି ସନ୍ତକ ରହୁ

ଦିନ ଯାଉ.... |୧୩|

 

ଯାହା ସଞ୍ଚିଥିଲି ଘରକୁ

ଯାହା ରଖିଗଲି ପରକୁ

ମାଟିହାଣ୍ଡି ମାରାହେଲେ ହୁଏ ଖପରା

ନିଶ୍ଵାସ ଛାଡ଼ିବ ଦିନେ ହଉଥା ଛୋପରା

ହଜିଗଲେ ଯାଉ ଧନମାନ ସବୁ

ଏତିକି ସନ୍ତକ ରହୁ

ଦିନ ଯାଉ.... ||୨|

 

ଝୁମୁରୁ ଝୁମୁରୁ ଝୁମୁରୁ ଝାଇଁ

ମନ ଝୁରିହୁଏ କାଳିଆ ପାଇଁ

ଶିରି ମନ୍ଦିରରେ କିଏରେ

ଲଳିତାର ନୀଳ ମାଧବ ନୁହେଁ ସେ

ବିଦ୍ୟାପତିରେ ରେ କଳା ଗୋସାଇଁ ||o||

 

ଆଖୁରୁ ଫିଟିଲା ଅନ୍ଧପୁଟୁଳି

କାନିରୁ ସରିଲା ସୋରିଷ ଥଳି

ନୀଳ କନ୍ଦରରେ କିଏରେ

ଶବରୀ ଲଳିତା ପ୍ରେମକରି ପିତା

ବିଶ୍ଵାବସୁ ନେଲା ବାଟ କଢ଼ାଇ

ଝୁମୁରୁ ଝୁମୁରୁ..... || ୧ ||

 

ଫୁଲାରେ ଶରଧା ଏତେ ଫୁଲିଆ

ଭକତ ଭାବକୁ ଭାରି ହଟିଆ

ରତନ ବେଦୀରେ କିଏରେ

ସୋରିଷ ଫୁଲରେ ବାଇଶି ପାହାଚ

ଲମ୍ବିଯାଇଛିରେ ସରଗ ଛୁଇଁ

ଝୁମୁରୁ ଝୁମୁରୁ.... | ୨ |

 

ଶବର ବୋଲିକି ନଦେଲା ଧନ

ଛପନ ଭୋଗକୁ ବଳିଲା ମନ

ବଡ଼ ଦେଉଳରେ କିଏରେ

ଚୋର ପରି ଲୁଚି ଆସିଛି ପଳାଇ

ବସିଛିରେ ହାତ ପାଦକୁ ଲୁଚାଇ

ଝୁମୁରୁ ଝୁମୁରୁ.... | ୩ ||

 

ଜନମ ମରଣ ଜୀବନ ଭେଳା

ଚାଲିଛିରେ ଏଠି କ୍ରିକେଟ ଖେଳା

ଇ’ମା ଏ ଦୁନିଆ ଖେଳପଡ଼ିଆ

କ୍ରିକେଟ ଖେଳୁଛି ଜଗାକାଳିଆ

କାହା ହାତେ ୱାଲର୍ଡ଼ କପ୍

ଗୋଲଡ଼ ଭାର ଗୋଲଡ଼

କିଏ ପୁଣି ହୋଇଯାଏ

କ୍ଲିନ୍‌ ବୋଲ୍‌ଡ଼

ଜଗା ଖେଳ ଦେଖି ଆମେ ହେଲୁଣି ହାଲିଆ

କ୍ରିକେଟ ଖେଳୁଛି.... ||o||

 

ଯାହା ତୋ ପାଇଁ ଖେଳ

ସେତ ଆମକୁ କାଳ

ସୁଖ ଉଇକେଟ ଖାଡ଼ି ଭାଙ୍ଗିଯାଏ

ପଡ଼ିଲେ ଦୁଃଖର ଗୁଗୁଲି

ବେଳକାଳ ଦେଖି ଇନ୍ ସୁଇଙ୍ଗକରେ

ଯାଏରେ ମଣିଷ ଦୋହଲି

କପାଳରେ ହାତମାରି ଦେଖ ମଣିଆ

କ୍ରିକେଟ ଖେଳୁଛି... |୧|

 

ବେଳ ହେଲେ ଅବେଳ

ବୁହାଇ ଦେବରେ ଝାଳ

ଯେତେବେଳେ ଭାଗ୍ୟ ଅନୁକୂଳ ହୁଏ

ବ୍ୟାଟକୁ ବଲ୍ ଛୁଇଁଲେ ଛକା

ଏକା ମହାପାତ୍ରେ ମାରିନେଇଯିବେ

ସାରା ଦୁନିଆକୁ ବନେଇ ବୋକା

ତୋ ଓଭର ସରିଗଲା ଆ ଚାଲିଆ

କ୍ରିକେଟ ଖେଳୁଛି.... || ୨ ||

 

ନରେନ୍ଦ୍ର ପୋଖରୀ ଅକାତ ପାଣିଲୋ

ବୁଡ଼ିଯିବ ହାତୀ ଛତି

କାଳିଆ ସାଆନ୍ତ କରୁଣା କରିଲେ

ସବୁଦିନେ ଜହ୍ନରାତି

ସଜନୀଲୋ

ସବୁଦିନିଆ ତା ପ୍ରୀତି ||o||

 

ସକାଳ ସୁରୁଯ ବୁଣିଲେ ମୁରୁଜ

ବାସି ଚହଟର ମଲ୍ଲୀ

ସେ କଳା କାଇଁଚ ମାଳିଆ ହସିଲେ

ହସିଉଠେ ପୁରପଲ୍ଲୀ

ହସ ତାର ଲକ୍ଷେ ଟଙ୍କିଆ

ସଜନୀଲୋ

ସେ ପରା ଜଗତ ପତି |୧|

 

ଶୀରିମନ୍ଦିରରେ ନେତ ଉଡୁଥାଇ

ଉଡୁଛି ନାଲିଆ ବାନା

ନିଳକନ୍ଦରରେ ତାଙ୍କ ଶୁଭୁଥାଇ

ବସିଛି କାଳିଆ ନନା

କେତେ ସୁନ୍ଦର ବାଙ୍କଚୁଳିଆ

ସଜନୀ ଲୋ

ପାହିଯିବ ଦୁଃଖ ରାତି || ୨ ||

 

ହେ ସାଇନାଥ

ତୁମେ ଦୃଶ୍ୟର ଅତୀତ ଦୃଶ୍ୟାତୀତ

ତୁମେ ସ୍ପର୍ଶର ଅତୀତ ସ୍ପର୍ଶାତୀତ

ତୁମେ ସ୍ଵରର ଅତୀତ ଶବ୍ଦାତୀତ

ତୁମେ ଭାବର ନିକଟ ଅନୁଭବରେ ପ୍ରକଟ

ହେ ସାଇନାଥ.... || ୪ ||

 

ତୁମେ ନିର୍ଗୁଣ ନିରାକାର ପରବ୍ରହ୍ମ

ତୁମେ ତ୍ରିଗୁଣ ସାକାର ବ୍ରହ୍ମା ବିଷ୍ଣୁ ଶିବ

ତୁମେ ଭଜନ କୀର୍ତ୍ତନ ସ୍ଵୟଂସିଦ୍ଧ

ତୁମେ ଭକ୍ତର ନିକଟ

ମୋଚନ କରିଛ ସଂକଟ

ହେ ସାଇନାଥ... |୧|

 

ତୁମେ ମସଜିଦ୍ ନିବାସୀ ସୁଫି ସନ୍ଥ

ତୁମେ ଉଦି ବିତରକ ପରମହଂସ

ତୁମେ ଓଁକାର ଝଙ୍କୃତ ମହାମନ୍ତ୍ର

ତୁମେ ଦତ୍ତାତ୍ରେୟ ରୂପ

ଭବସାଗର ସମ୍ରାଟ

ହେ ସାଇନାଥ... || ୨ ||

 

ଏପଟେ ଚକୋର ସେପଟେ ଚକୋରୀ

ମଝିରେ ଯମୁନା ନଈ

କାଖରେ କଳସୀ ଅଳପ ବୟସୀ

ଧିରେ ଚାଲେ ରାଧାମାଇଁ

ଦେଖ ଗୋ ସହି ।

ଘାଟ ଜଗିଛି କହ୍ନେଇ ॥o॥

 

ହଳଦୀ କାଠୁଆ ସରିଗଲା ଲୋ

ଉଛୁର ହେଲାଣି ବେଳ

କେତେ ଘସି ମାଜି ହେଉ ସୁନାଗୋଟ

ଭଲ ନୁହେଁ ବେଳକାଳ

ଦେଖ ଲୋ ସହି

ଆଖିଠାର ମାରେ କଳା କହ୍ନେଇ ।୧।

 

ଯମୁନାର ପାଣି ଲାଜେଇ ଗଲାଣି

ସରମରେ ମରେ କଇଁ

ବ୍ରଜଭାନୁ ସୁତା କେଡ଼େ କଥା କଲୁ

ମୁଖେ ତୋର ଅନ୍ତ ନାହିଁ

ଦେଖ ଲୋ ସହି

ଝୁରିମରେ କଳା କହ୍ନେଇ ।୨।

 

ଉଛୁର ହୋଇଲେ ଶାଶୁ ଗାଳିଦେବେ

ନଈ ସେପାରିରେ ଘର

କହ୍ନାଇ ସାଥିରୁ ଭାବ ଦିଆନିଆ

ଗେରସ୍ତଙ୍କୁ ନାହିଁ ଡର

ଦେଖଲୋ ସହି

ଗତିମୁକ୍ତି ରାହା ସେହି ।। ୩ ।

 

ନଡ଼ିଆ ଗଛର ନାଲି ଚଅଁର

କାଳିଆ ଯିବଲୋ ମାଉସୀ ଘର

ରଥରେ ବୁଲିବ

ମଜାରେ ଝୁଲିବ

ତା’ର କରନା ଆଉ ଉଛୁର

ପଣ୍ଡାପୁଅ ବେଗି ସଜବାଜ ସାର ।।୧୩

 

ପାଟ ପିତାମ୍ବରୀ ନାଲିଆ ଜରି

ମଥାରେ ଭିଡ଼ିଦିଅ ପଗଡ଼ି

ନାକରେ ଗୁଣା

ରୁଉଣଝୁଣା

ସରଗ ତରା ମୁକୁତା ଝରା

ମୋତିମାଳ ଖଞ୍ଜ ପଗଡ଼ିସାରା

ସିଏ ଯିବଲୋ କୁଣିଆ ଘର || ୨ ||

 

ଅଙ୍ଗକୁ ସାଜିବ ଝିନବସନ

ଅଧର ସୁନ୍ଦର ଗଜମୋତିପାନ

ରଙ୍ଗ ଅଧର

କେଡ଼େ ସୁନ୍ଦର

ସରୁ ତିଳକ କପାଳ ଯାକ

ଶ୍ରୀଅଙ୍ଗକୁ ଶୋଭା ଜକଜକ

ସଅଳ ସଅଳ ତା ବେଶ ସାର ।୩।

 

ଚମ୍ପା କନିଅର ଯୁଇ ମାଳତୀ

ଗୁଛି ଫୁଲମାଳ ଜାତିକି ଜାତି

ରାଧାତମାଳ

କୃଷ୍ଣ ତମାଳ

ତୁଳସୀ ଦୟଣା ଶରଧା ତାର

ଗଳାରେ ଦିଅ ଗଜରା ହାର

ଧନମଣି ହେଲାଣି ତରତର ||୪|

 

ବାସ ଚନ୍ଦନ ଲଗେଇ ଗଭାଫୁଲରେ ସଜେଇ

ରାତି ପାହିଲା କାଳିଆ ନ ଅଇଲ

କୁହ କି ଦୋଷ ମୋଠାରେ ଦେଖିଲ

ଦେବଦାସୀ ଜନ୍ମ ଅକାରଣ କରିଲ ||o||

 

ତୁମକୁ ନିଜର କଲି ସଂସାର ସୁଖ ଭୁଲିଲି

କୁଆଁରୀ ସପନ ଦେଲି

ହାୟ ନିଜର କରିବ ବୋଲି

ମୋତେ ଭଳେଇ ଛଳେଇ

ସତ ମିଛରେ ଭଣ୍ଡେଇ

ଦାରୁ ମୂରତି ପାଲଟି ରହିଗଲ

ଦେବଦାସୀ..... || ୧ ||

 

ତୁଳସୀ ଗହଣା କରି ତୋ ନାଆଁ ଚିତା କୁଟିଲି

ମଥାରେ ଚନ୍ଦନ ଦେଲି

ହାୟ ବଉଳ ପାଟ ଭୁଲିଲି

ଗୀତ ଗୋବିନ୍ଦ ବୋଲାଇ

ନାଟ ମଣ୍ଡପ ନଚାଇ

ବଡ଼ ଦେଉଳେ ପହୁଡ଼ି ଭୁଲିଗଲ ।୩ ||

 

 

ଆରେ ମୁଁ ତ ଚକୁଳିଆ ପଣ୍ଡା

ସବୁ ଜାଣେ ଚକୁଳିଆ ପଣ୍ଡା

ଶୂନ୍ୟବାଣୀ ହେଲା କଳ୍କୀ ଆସୁଛି

ମ୍ଳେଛ ସଂହାରିବ ବୋଲି ସେ କହୁଛି

ଧରି ବାରହାତ ଖଣ୍ଡା ||o||

 

ପାପର ଭାରାକୁ ଉଶ୍ଵସିବ ବୋଲି

କଳ୍କୀ ଅବତାର ହୋଇଛି

ଶ୍ରୀକ୍ଷେତ୍ରକୁ ଆଉ ଫେରିବନି ବୋଲି

ଛତିଆକୁ ଯିବ କହୁଛି

ସତ୍ୟଯୁଗ ହେବ କଳି ଶେଷ ହେବ

ପାପୀକୁ କରିବ ଲଣ୍ଡା ||୧|

 

କଳିଯୁଗ ଶେଷ ହେବ କହିବାକୁ

ଶ୍ରୀକ୍ଷେତ୍ରରୁ ଧାଇଁ ଆସିଛି

ହରିନାମ ଛଡ଼ା ଅନ୍ୟଗତି ନାହିଁ

ତେଣୁରେ ବୁଝେଇ କହୁଛି

ପାପ ଧୋଇଯିବ ପୂଣ୍ୟ ମିଳିଯିବ

ପାଇଲେ ତୁଳସୀ ଧଣ୍ଡା || ୨ ||

 

ଏ ଜୀବନ ନୁହେଁରେ ନୁହେଁ

ଖାଲି ବର୍ଷ ମାସ ଦିନ ଦଣ୍ଡ

ତୋ ପାଇଁ ଜୀଇଁଛି କାଳିଆ

ତୁ ମୋ ଜୀବନର ମାନଦଣ୍ଡ ||୦||

 

ଚାରିଆଡେ ମୋହ ମାୟା

ମିଛ ସତ ଖେଳ

ବୁଝୁନ ମନୁଆ ଜମା

ଏତ କଳିକାଳ

ଜଗନ୍ ସତ୍ୟ ପୃଥିବୀ ମିଥ୍ୟା (୨)

ସରଗ ତୋ ଏଇ ବଡ଼ଦାଣ୍ଡ

ତୋ ପାଇଁ............ ||୧||

 

ଆପେ ମଲେ ଯୁଗ ସରେ

କଲୁ କେତେ ଫାନ୍ଦ

କହିଯା ମନୁଆ ଥରେ

କାହାପାଇଁ ଛନ୍ଦ

ଆତ୍ମା ସତ୍ୟ ଦେହଟି ମିଥ୍ୟା (୨)

ମନ୍ଦ କର୍ମ ପାଇଁ ଯମଦଣ୍ଡ

ତୋ ପାଇଁ..... || ୨ ||

 

 

ବାଣୀକଣ୍ଠ କଣ୍ଠେ

ଅଇଲା ଗ୍ରୀଷମ କାଳ ଲୋ ଫୁଲ ବଉଳବେଣୀ

ଧନିଙ୍କ ଘରରେ ଏ.ସି. ଲାଗିଗଲା

ଗରିବ କପାଳେ ଝାଳ ଲୋ, ଫୁଲ ବଉଳବେଣୀ ||୦||

 

ପରମାଣୁ ବୋମା ଖେଳ ଲୋ ଫୁଲ ବଉଳବେଣୀ

କେତେ କେତେ ଲୋକ ଅଂଶୁଘାତେ ମଲେ

ଗଣିବାକୁ ନାହିଁ ବେଳ ଲୋ, ଫୁଲ ବଉଳବେଣୀ ।୧I

 

ସରକାରୀ ସହାୟତା ଲୋ ଫୁଲ ବଉଳବେଣୀ

ଅଫିସରମାନେ ସବୁ ମାରିନେଲେ

ଭକୁଆ ହେଲେ ଜନତା ଲୋ, ଫୁଲ ବଉଳବେଣୀ || ୨ ||

 

କାଗଜ କଲମ ଚାଷ ଲୋ ଫୁଲ ବଉଳବେଣୀ

ଜନତାଙ୍କୁ ନେତା ପଟି ମାରିଦେଲେ

କା ଆଗେ କହିବି କିସ ଲୋ, ଫୁଲ ବଉଳବେଣୀ || ୩ ||

 

ଦଇବ ସାଧିଲା ଦାଉଲୋ ଫୁଲ ବଉଳବେଣୀ

ନେତା ବି ଯେମିତି ଦେବତା ସେମିତି

ଛୁଇଁ ହେଉନାହିଁ ଭାଉଲୋ, ଫୁଲ ବଉଳବେଣୀ I୪I

 

ଶୁଖିଲାଣି ନଇ ନାଳ ଲୋ ଫୁଲ ବଉଳବେଣୀ

ସହଜେ ଆମର ଚୁଲି ଚାଳ ନାହିଁ

କେମିତି ସରିବ ବେଳ ଲୋ, ଫୁଲ ବଉଳବେଣୀ ୫||

 

ଏକଥା ମନରେ ହେଜ ଲୋ ଫୁଲ ବଉଳବେଣୀ

ମାଳିକା ବଚନ ସତ ହୋଇଲାଣି

ବଢ଼ିବ ସୂରୁଜ ତେଜ ଲୋ, ଫୁଲ ବଉଳବେଣୀ ୬

 

କି ହେବ ନେତା ହୋଇଲେ

ସେକୁ ସ୍କାଣ୍ଡାଲ ନଥିଲେ

ମାରିପିଟି ନ ଖାଇଲେ

କି ହେବ ନେତା ହୋଇଲେ ।।o।।

 

ନେତାଙ୍କୁ ସୁନ୍ଦର ଦିଶେ ମନ୍ତ୍ରୀ ହୋଇଲେ

ମନ୍ତ୍ରୀ ହୋଇଲେ

ମନ୍ତ୍ରୀ ହୋଇଲେ କି ହେବ

ରାଜକୋଷ ନ ଖାଇଲେ

କି ହେବ ନେତା ହୋଇଲେ ||୧||

 

କୋଠୀକୁ ସୁନ୍ଦର ଦିଶେ ମନ୍ତ୍ରୀ ଅଇଲେ

ମନ୍ତ୍ରୀ ଅଇଲେ

ମନ୍ତ୍ରୀ ଅଇଲେ କି ହେବ

ମଦ ନାରୀ ନ ମିଳିଲେ ନାଚ ଗୀତ ନ ହୋଇଲେ

କି ହେବ ନେତା ହୋଇଲେ || ୨ ||

 

ନେତାଙ୍କର ଦେଖା ମିଳେ ଭୋଅଟ ହେଲେ

ଭୋଅଟ ହେଲେ

ଭୋଅଟ ହେଲେ କି ହେବ

ବୁଥ କ୍ୟାପଚର ନ ହୋଇଲେ

କି ହେବ ନେତା ହୋଇଲେ || ୩ ||

 

ନେତା ଟାଣ ଜଣାପଡ଼େ ଭୋଅଟ ଜିତିଲେ

ଭୋଅଟ ଜିତିଲେ

ନିଜେ ଜିତିଲେ କି ହେବ

ସ୍ତ୍ରୀ ପିଲା/ପୁଅ ଜ୍ଵାଇଁ ନ ଜିତିଲେ

କି ହେବ ନେତା ହୋଇଲେ I୪I

 

ପିଲେ କ୍ରିକେଟ ଦେଖୁଲେ ଲୋ

ପାଠଶାଠ ସବୁ ଛାଡ଼ି

କ୍ରିକେଟ୍ ଖେଳରୁ କି ସୁଖ ପାଆନ୍ତି

ଖୁସିରେ ଛାଡ଼ନ୍ତି ରଡ଼ି ||o||

 

କ୍ରିକେଟ ଷ୍ଟାରଙ୍କୁ ଦେବତା ମଣିଲେ

ଗାନ୍ଧୀବୁଢ଼ା ଗଲା କାହିଁ

ଖେଳଦିନ ଟିଭି ଜଗି ବସିଲେଣି

କୋଉଥିରେ ମନ ନାହିଁ ।।୧I

 

ଅଫିସରେ ବସି କମେଣ୍ଟ୍ରି ଶୁଣନ୍ତି

ସରକାରୀ ଗେହ୍ଲାପୁଅ

ଛକା ମାଇଲା କି ଚଉକା ମାଇଲା

କତେ ରନ୍ ହେଲା କୁହ || ୨ ||

 

ପାନ ବାଲାଠାରୁ ପାର୍ଲାମେଣ୍ଟ ଯାଏ

ସବୁଠି ଗୋଟିଏ ପାଲା

କିଏ ସେ ଜିତିଲା କିଏ ସେ ହାରିଲା

ଚାରିଆଡେ ହୋ ହାଲ୍ଲା || ୩ ||

 

ଖେଳକୁ ଦେଖିଣ ନିକମା ହୋଇଲେ

କି ପିଲା କି ଯୁବା ବୁଢ଼ା

ସତରେ ଯେମିତି ଦେଶର ପ୍ରଗତି

ନାହିଁରେ କ୍ରିକେଟ ଛଡ଼ା I୪I

 

ଧୋକା ଦେଲେ ପାକିସ୍ଥାନୀ ଲୋ

ଭାଇଚାରା ଗଲେ ଭୁଲି

ବିଶ୍ଵାସରେ ବିଷ ମିଶାଇ ଦେଲେ ସେ

ଜଳୁଛିରେ କାରଗଲି |। 0||

 

ବନ୍ଧୁତାର ଭାଷା ବନ୍ଧୁକେ କହିଲେ

ଛାତିରେ ଭରିଲେ ତାତି

ଲାହୋର ଘୋଷଣା ମାଟିରେ ମିଶାଇ

ପଛରୁ ଭୁସିଲେ କାତି |୧|

 

ଅକାରଣଟାରେ ରକ୍ତପାତ କରି

କରୁଛି ଅନ୍ୟାୟ ଯୁଦ୍ଧ

ଦିବାସ୍ଵପ୍ନ ଦେଖି କି ଲାଭ ମିଳିବ

କରନା ଆମକୁ ବାଧ୍ୟ || ୨ ||

 

ଆମେରିକା ଠାରୁ ଚୀନ୍ ପରିଯନ୍ତ

ସାରା ବିଶ୍ଵ ଏକ ମନ

ଭାରତ ସୀମାରୁ ପାକ୍ ହଟିଯାଉ

ଦେଶ ଛାଡୁ ପାକିସ୍ଥାନ || ୩ ||

 

ତିନି ତିନିଥର ହାରିଲ ଯୁଦ୍ଧରେ

ପାଇଲଟ ପରାଭବ

କି ଲାଭ ଆଶାରେ ମନ ବଳାଇଛି

ସମୂଳେ ବିନାଶ ହେବ I୪I

 

ହିନ୍ଦୁ ମୁସଲମାନ ଭାଇ ଲୋ ଫୁଲ ବଉଳବେଣୀ

ଗୋଟିଏ ମାଆର ଦୁଇଟି ସନ୍ତାନ ଧନ୍ୟ ସେ ଭାରତ ଭୂଇଁ ଲୋ...

ରକତର ରଙ୍ଗ ନାଲି ଲୋ ଫୁଲ ବଉଳବେଣୀ

ଈଶ୍ଵର କୁହ କି ଆଲ୍ଲା ବୋଲି କୁହ ମୂଳଟି ବିଶ୍ଵାସ ଖାଲିଲୋ

ପୋଷାକକୁ ଦେଲେ ଖୋଲି ଲୋ ଫୁଲ ବଉଳବେଣୀ

ସବୁତ ସମାନ ଶରୀର ଗଠନ ଭେଦଭାବ ଯିବ ଭୁଲିଲୋ

ପାନ ପତରକୁ ଚୂନଲୋ ଫୁଲ ବଉଳବେଣୀ

ହିନ୍ଦୁ ମୁସଲମାନ ଜୈନ ଖ୍ରୀଷ୍ଟିଆନ କେହିତ ନୁହଁଇ ସାନଲୋ

ଫୁଲ ଫୁଟେ ଜାତିଜାତିଲୋ ଫୁଲ ବଉଳବେଣୀ

ଧରମ ଆମର ମାନବ ଧରମ ମଣିଷ ଆମରି ଜାତିଲୋ

ନଇକି ମାଇଲି ଗିଲ ଲୋ ଫୁଲ ବଉଳବେଣୀ

ଧର୍ମ ନିରପେକ୍ଷ ଭାରତ ବର୍ଷରେ ସାଂପ୍ରଦାୟିକତା ଭୁଲ ଲୋ

ନଡ଼ିଆ ଭାଙ୍ଗିଲେ ଫାଳଲୋ ଫୁଲ ବଉଳବେବଣୀ

ଦେଶର ପ୍ରଗତି କରିବା ପାଇଁକି ଏକତ୍ର ହୋଇ ଚଳଲୋ ।

 

 

ଦେଖ ଦେଖ ଲାଗିଅଛି ଧରମ ଯୁଦ୍ଧଲୋ

କୌରବ ପାଣ୍ଡବ ମଧ୍ୟେ ମହାଭାରତ ଲୋ

ଧର୍ମର ହେବ ଜୟ ଅଧର୍ମର ପରାଜୟ

ପାଣ୍ଡବ ଜାଣନ୍ତି ନାହିଁ କପଟ ଛନ୍ଦଲୋ |୧୩|

 

ଆମ ଦେଶ ଯବାନ ଭୀମପରି ବଳିୟାନ

କପଟୀ ଶକୁନି ପରା ଅଟେ ପାକିସ୍ଥାନଲୋ || ୨ ||

 

କପଟ ପଶା ପରି ଅନୁପ୍ରବେଶକାରୀ

କାଶ୍ମିରୀ ପାଇଁ କି ଦେଖ ତୁଛାକୁ ବାଦଲୋ | ୩ |

 

ଆମ ଦେଶ ଯବାନ ନେଲେ ରକ୍ତ ଶପଥ

ଗଦାଧାରୀ ଭୀମହାତେ ଦୁର୍ଯ୍ୟୋଧନ ବଧଲୋ I୪I

 

ଅନ୍ୟାୟ ସହିବ ନାହିଁ କେବେ ଭାରତ ଭୂଇଁ

ଧର୍ମଯୁଦ୍ଧର ସାରଥୀ ନିଜେ ଜଗନ୍ନାଥ ଲୋ |୫|

 

ଧନ୍ୟରେ ଓଡ଼ିଆ ଟୋକା

ଦେଶବାସୀ ଦେଲେ ଡକା

ଦେଶ ରକ୍ଷାପାଇଁ ଜୀବନକୁ ଦେଇ

ରକତେ ଲେଖିଲ ବିଜୟଟୀକା ||o||

 

ଶତ୍ରୁ ସଂଗେ ଲଢ଼ି ଯୁଦ୍ଧ ଭୂଇଁରେ

ସହିଦ ହୋଇଲ ତୁମେ ସକଳେ

ପ୍ରିୟ ପରିଜନ ରଖି ଦୂରରେ

ଭସାଇ ନେଲ ଯେ ଶୋକର ଜଳେ

ସାକ୍ଷୀ ସେ ଏକା ଲୁହର ଟୋପା

ଦେଶବାସୀ ଦେଲେ ଡକା |୧|

 

ଅକ୍ଷୟ କିରତି ସ୍ଵର୍ଣ୍ଣ ଅକ୍ଷରରେ

ଅମର ରହିବ ଏ ମହୀତଳେ

କଥା ରହିଯିବ ଇତିହାସରେ

ଯୁଦ୍ଧ କଥା ମନେ ପଡ଼ିବା ବେଳେ

ବୀରତ୍ୱ ଗାଥା ଘୁରିବ ମଥା

ଦେଶବାସୀ..... ||୨|

 

ଲାଏନ୍ସ ମାନସ କେଉଁଆଡେ ଗଲ

ସାଥୀ ଗୋପିନାଥ ଏ ଯୁଦ୍ଧକାଳେ

ରାଜ କିଶୋରକି ନିଦେ ଶୋଇଗଲ

ଭୁଲିଯାଇ ଦେଶ ଦୁର୍ଗତି ବେଳେ

ମନରେ ବ୍ୟଥା ତୁମରି କଥା

ଦେଶବାସୀ...... || ୩ ||

 

କାରଗିଲ ଭୁଇଁରେ ସମ୍ମୁଖ ସମରେ

ଶତ୍ରୁ ମୁକାବିଲା କରିଲା ବେଳେ

ଭ୍ରୁକ୍ଷେପ ନକରି ଶତ୍ରୁ ଗୁଳିରେ

ପ୍ରାଣବଳି ଦେଲ ଦେଶର ଛଳେ

ରଖିଲ କଥା ପାତିଲ ମଥା

ଦେଶବାସୀ........ ||୪|

 

କି ହେବ ଯୁଦ୍ଧ କରିଲେ

ବିଶ୍ଵାସରେ ବିଷ ଦେଲେ

ଗୁଳିଗୋଳା ବରଷିଲେ ||o||

ଧନଜନ କ୍ଷୟ ହୁଏ ଯୁଦ୍ଧ ଲାଗିଲେ

ଯୁଦ୍ଧ ଲାଗିଲେ

ଦୁହେଁ କ୍ଷତିଗ୍ରସ୍ତ ହେବା

ଶାନ୍ତିଭାବ ନରଖିଲେ ।୧୮

 

ବନ୍ଧୁଭାବ ବୃଦ୍ଧିହେବ ପଡ଼ୋଶୀ ହେଲେ

ପଡ଼ୋଶୀ ହେଲେ।

ପଡ଼ୋଶୀ ହେଲେ କି ହେବ

ହିଂସାଭାବ ନ ଭୁଲିଲେ || ୨ ||

 

କଳିସିନା ଜିତିହୁଏ ଭାଇଟେ ଥିଲେ

ଭାଇଟେ ଥିଲେ

ଭାଇଥିଲେ କି ହେବ

ଭାଇଚାରା ନରଖିଲେ ।୩ ।

 

ଦେଶ ଟାଣ ଜଣାପଡ଼େ ବୋମା ରଖିଲେ

ବୋମା ରଖିଲେ

ବୋମା ରଖିଲେ କି ହେବ

ନୀତିବାନ ନ ହୋଇଲେ |୪|

 

ଶତ୍ରୁଭାବ ବଢ଼େ ସିନା ଯୁଦ୍ଧ ଚାଲିଲେ

ଯୁଦ୍ଧ ଚାଲିଲେ

ଯୁଦ୍ଧ ଚାଲିଲେ କିହେବ

ଶାନ୍ତି ପ୍ରତିଷ୍ଠା ନ ହେଲେ ।୫।

 

ଆହେ ଯବାନ ବୀର

କାଟି ଶତ୍ରୁର ଶୀର

ତ୍ରୀରଙ୍ଗା ଉଡ଼ାଅ ଗର୍ବେ ଫଅର ଫର ।।୧I

 

ଜାଗ ହେ ସୈନ୍ୟଗଣ ତୁମେ ରକ୍ଷକ ଜାଣ

ଶତ୍ରୁର ମୁଣ୍ଡହାଣ ରଖ ଦେଶର ଟାଣ

ଶହେକୋଟି ଜନତା ପଛେ ତୁମର

ଆହ୍ବାନ ଦେଶର ଆହେ ଯବାନ ବୀର

ମା ପାଦତଳେ ଲୋଟୁ ଶତ୍ରୁର ଶୀର |୨||

 

ରକ୍ତରେ ଲାଗେ ନିଆଁ ମନରେ ଲାଗେ ଚିଆଁ

ବାରୁଦ ଗନ୍ଧ ଧୂଆଁ ଲୋମକୁ କରେ ଠିଆ

ବିଦେଶୀ ଶତ୍ରୁର ଗର୍ବ କର ହେ ଚୁର

ଗୁଳି ବରଷା କର ଭାଙ୍ଗ ଦମ୍ଭ ତାଙ୍କର

ଶତ୍ରୁକୁ ସମୂଳେ ତୁମେ ବିନାଶ କର । ୩ ।

 

ବିଶ୍ଵାସେ ବିଷ ଦେଲା ଶାନ୍ତି ଛଡ଼ାଇ ନେଲା

ଭାଇ ଭଗାରୀ ହେଲା ଅଶାନ୍ତି ଯାଚିଦେଲା

ଆହ୍ଵାନ କରେ ତୁମ ପୁରୁଷାକାର

ଶତ୍ରୁ ରକତଧାର ମାଟି ପିଇବ ତୋର

ଦେଶ ନା ଶୁଣି ଛାତି ଥରରେ ତାର ||୪||

 

କାଶ୍ମିରୀ ଲୋଭେ ପାକିସ୍ଥାନ ଏତେ ପାଲା କଲା ହେ, ଉପରବାଲା

ଶାନ୍ତି କଥାବାର୍ତ୍ତା ଚାଲିଥିଲା ||୦||

 

ଭଡ଼ାଟିଆ ଗୁଣ୍ଡାଙ୍କୁ ତୁ ଅସ୍ତ୍ରଶସ୍ତ୍ର ଦେଲୁ

ତୁଛାକୁ ଭାରତରେ ଆତଙ୍କ ଖେଳାଇଲୁ

ନିରୀହ ଜନତାଙ୍କ ହସ ଲୁଟି ନେଲା ହେ ଉପରବାଲା |୧||

 

ଶାନ୍ତିପାଇଁ କେତେଥର କଥାବାର୍ତ୍ତା ହେଲା

ଲାହୋରରେ ଶାନ୍ତି ଚୁକ୍ତି ସ୍ଵାକ୍ଷରିତ ହେଲା

ସବୁ ସିନା ପାକିସ୍ଥାନ ଅକାରଣ କଲା ହେ ଉପରବାଲା || ୨ ||

 

ଦୀଲ୍ଲିରୁ ଲାହୋରକୁ ବସ୍ ଚଳାଗଲା

ସଦ୍‌ଭାବ ବୃଦ୍ଧିପାଇଁ କ୍ରିକେଟ ଖେଳହେଲା

ତଥାପି ତାର ମନେ ଶତ୍ରୁତା ରହିଲା ହେ ଉପରବାଲା || ୩ ||

 

ସୀମାନ୍ତରେ ଶାନ୍ତିପାଇଁ କଥା ଦେଇଥିଲା

କାରଗିଲରେ ହୁତୁହୁତି ନିଆଁ ଜାଳିଦେଲା

ସୀମିଳା ରାଜିନାମାକୁ ବେକାର କରିଦେଲା ହେ ଉପରବାଲା |୪|

ଆତଙ୍କବାଦକୁ ସେ ତ ପ୍ରୋତ୍ସାହନ ଦେଲା

ବନ୍ଧୁକୁ ଜବାବ ବନ୍ଧୁକରେ ନେଇ ଦେଲା

ଆରେ ଦେଖ, ପାକିସ୍ଥାନ ସବୁ ସାରିଦେଲା ହୋ ଉପରବାଲା

ଯେଉଁ ମାଟି ପାଇଁ କମାଣରୁ ଗୁଳି

ବରଷାଏ ପାକିସ୍ଥାନୀ

କାଶ୍ମିରୀର ସେହି କାରଗିଲ ପାଇଁ

ରକତ ଦେବୁ ନିଗାଡ଼ି ||o||

 

ରେ ପାକିସ୍ଥାନୀ ଆଉ କାରଗିଲକୁ ମନ ବଳାନି

କାରଗିଲରୁ ଇଞ୍ଚେ ଜାଗା କେବେ ଛାଡ଼ିଦେବୁନିରେ

ଶହୀଦ ହେଲେଣି ଏଠି କେତେ ଯବାନ

ମା ମାଟିର ପାଇଁ ଦେଲେ ଜୀବନ

ଭାଇ ଏଠି ଭଗାରୀ ଅନୁପ୍ରବେଶକାରୀ

ସୀମାର ଆରପଟୁ ଚଳାଉଛନ୍ତି ଗୁଳି

ଅହଙ୍କାରୀ ଅହଙ୍କାର ହୋଇବ ଚୁରମାର

ପରାଭବ ପାଇବୁ ଆରେ ବେଇମାନ

ରେ ପାକିସ୍ତାନୀ... । ୧।

 

ସାଧା ପୋଷାକଧାରୀ ସଇନ୍ୟ ତୋହରି

ଭଡ଼ାଟିଆ ଆଫଗାନ ଅନୁପ୍ରବେଶକାରୀ

ଭୀରୁ ଉଗ୍ରପନ୍ଥୀଙ୍କୁ ଦେଇଣ କଳାଟଙ୍କା

ସୀମାନ୍ତେ ଛାୟାଯୁଦ୍ଧ ମନେ ଉପୁଜେ ଶଙ୍କା

ମାରିବୁ ସଇନ୍ୟ ସାମନ୍ତ ହୋଇବ ହନ୍ତସନ୍ତ

ନ ଛଳନାକାରୀ ହରାଇବୁ ତୋର ରାଜଧାନୀରେ

ରେ ପାକିସ୍ତାନୀ.... ||୨|

 

ଯୋର କରି ଲଦିଦେଲୁ ସୀମାନ୍ତେ ଯୁଦ୍ଧ

କମାଣ ଧରିବାକୁ କରିଲୁ ବାଧ୍ୟ

ଅଗ୍ନି, ତ୍ରିଶୂଳ, ଆକାଶ କ୍ଷେପଣାସ୍ତ୍ର

ହେଲେଣି ସଜପୁଣି ଯବାନ ଦେଶଭକ୍ତ

ଆତଙ୍କବାଦୀ ବନ୍ଧୁକ ନୁହେଁ ବନ୍ଧୁତା ଚାହେଁ ହିନ୍ଦୁସ୍ତାନୀ

ରେ ପାକିସ୍ତାନୀ.... || ୩ ||

 

 

 

ପୀତିଅର୍ଘ୍ୟ

ଅଫେରା ଅତୀତ ଅଭୂଲା ସ୍ମୃତି

ଅକୁହା କାହାଣୀ ଅସରା ରାତି

ପାଦ ତଳେ ଚୋରାବାଲି

ଥକିଯିବୁ ଚାଲିଚାଲି

ନିଦବିନା ବିତେ ଯାର ରାତି

ସୌଭାଗ୍ୟବତୀ ସେ ସୌଭାଗ୍ୟବତୀ.... ||୦||

 

ଭାଗ୍ୟଟା ଲୋଟଣୀ ପାରା

ସହଜେ ଦିଏନା ଧରା

କିଏ ଚାଲେ ଅସରା ବାଟ

କାହାପାଇଁ ସପନ ହାଟ

ଜହ୍ନରେ କଳଙ୍କ ଦାଗ

ବେସୁରା ପଞ୍ଚମ ରାଗ

ଲୁହ ବିନା ଭିଜେ ଯାର ଆଖି

ସୌଭାଗ୍ୟବତୀ..... I୧I

 

ଲଟେଇ ସୂତାକୁ ଛାଡ଼ି

ଥରେ ଗୁଡ଼ି ଗଲେରେ ଉଡ଼ି

ହାତେ ଧରା ଦେବନି ଆସି

କାନିଖାଇ ପଡ଼ିବ ଖସି

ଦେହରେ ଲାଗିଲେ ଦାଗ

ସହଜେ କି ଲିଭିଯିବ

ସ୍ଵପ୍ନବିନା ପାହେ ଯାର ରାତି

ସୌଭାଗ୍ୟବତୀ..... || ୨ ||

 

ଜହ୍ନକୁ ଜହର ଭାବି ଦେଲା ପରେ

ଦୂରେଇ ଯାଇଛି ପ୍ରେମ

ଛାତିକୁ ପଥର କହିଦେଲା ପରେ

ଭୁଲିଛି ତୁମରି ନାମ ||୦||

 

ମନ ବଗିଚାରେ ମାଳିଟିଏ ହୋଇ

ତୋଳିଛି ଫୁଲ ମୁଁ ତୋ କବରୀ ପାଇଁ

ତୋର ସେ କବରୀ ଫୁଲର ସବାରୀ ।

ଆଉ କା ସପନେ ବାହାବେଦୀ ହୋଇ

ଶୁଭିଲା ମଙ୍ଗନ ଶୁଭ ସାହାନାଇ

ମୋ କପାଳ ହେଲା ବାମ I୧I

 

ରାଜାର ବଗିଚା ରାଜାର ତ ଫୁଲ

ମାଳିଟିଏ ହୋଇ ତୁଛା କରି ମୂଲ

ସେ ରାଜା ବଗିଚା ଫୁଲର ଗାଲିଚା

ଆଉ କା ରାତିଟି ହୋଇ ସୁହାଗ

ଖୁସି ଲହରରେ ଯେବେଗଲା ପାହି

ମୋ କପାଳ ହେଲା ବାମ || ୨ ||

 

ଝରିପଡ଼ିଥିବା ଶେଫାଳୀ ଫୁଲ ମୁଁ

ଯଉବନ ବଗିଚାରେ

କା ଅଭିଶାପରେ ପାଷାଣୀ ସାଜିଛି

ଏଇ ମରୁପଥ ପରେ ||0||

 

ଦୀପଜାଳିଥିଲି ଆଶାର ମୀନାରେ

କେତେ ରାତି ଉଜାଗରେ

ମନର ମଣିଷ ମନ ବୁଝିଲାନି

ଲୋଟି ପଡ଼ିଲି ଧରାରେ

ବାସିଫୁଲଟିଏ ଅପବାଦେ ମୋତେ

କିଏ ବା ଘେନିବ ଗଳାରେ I୧I

 

ମନ ଚଲାପଥ ମରୁଭୂମିରେ

ଖଜୁରୀ ଗଛଟେ ହୋଇ

କିଏ ବା ଆସିବ କି ସୁଖ ଆଶାରେ

କାହିଁକି ବା କାହାପାଇଁ

ଏମିତି ଏ ପଥେ ପଡ଼ିରହିଥିବି

ଲୁହଭରା ନୟନରେ || ୨ ||

 

ନିରୋଳା ରାତିର ବିଜନ ପହରେ

ସପନ ସାଜି ଯେ ଆସେ

ଅଳସ ପାଦରେ ଅଳତା ଲଗାଇ

ମନନଈ କୂଳେ ବସେ

ମୁଁ କହିବିନି ତାର ନାଆଁ

ସେ ମୋର ଅଳସୀପ୍ରିୟା ||o||

 

ମନର ଦରଜା ଖୋଲିଦେଲା ପରେ

ପାଦ ଚିପି ଚିପି ଆସେ

ଲାଜୁଆ ଆଖିରେ ସପନ ଭାରି ସେ

ମୁରୁକି ମୁରୁକି ହସେ

ଏ ମନରେ ଲାଗଇ ନିଆଁ

ପାଇବାକୁ ତାର ଛୁଆଁ

ମୁଁ କହିବିନି..... I୧I

 

ରାତି ପାହିଯାଏ ସପନ ସରେନା

ଭଲଲାଗେ ମିଛ ରାଗ

ନିଦଭାଙ୍ଗିଗଲେ ମନ ଖୋଜିହୁଏ

ତା ପାଦ ଅଳତା ଦାଗ

ମନର ଦରଜ ମନରେ ମରଇ

ଆସି ଚାଲିଯାଅ କିଆଁ

ମୁଁ କହିବିନି.... |୨|

 

ଫୁଲଟିଏ ହୋଇ ଫୁଟିଛି ମୁଁ ଆଜି

ଯଉବନ ବଗିଚାରେ

ମହୁମାଛି ହୋଇ ଚୁମିଯାଅ ମୋର

କଅଁଳ ପାଖୁଡ଼ା ଧୀରେ ||୦|

 

ଏ ମଳୟର ଚୋରାଚୋରା ପରଶରେ

ପାରୁନି ସହି ବିରହ ତାତି ଏ ବୟସରେ

ସପନ ଦେଖୁଛି ଶୋଇ ଫୁଲଛୁଆଁ

ଶିଶିରର ଶେଯରେ

ସେ ସପନର ନିଆଁ ଭଲପାଏ ମୋତେ

ଅତିଥି ସାଜି ମୋ ମନ ଦୁଆରେ

ଫୁଲଟିଏ ହୋଇ.... //୧I

 

ଅଳସ ଡେଣାକୁ ତୋର ମୋ ଦେହେ ଝାଡ଼ି

ମହୁ ପିଇ ମହୁଆରେ ଯିବିନୁ ଉଡ଼ି

ମନର ମଣିଷ ମନ ନ ମାନିଲେ

ଝରିଯିବି ଅକାଳରେ

ରାତିଟିଏ ରୁହ ମୋ ପାନ୍ଥଶାଳାରେ

ଚୁପି ଚୁପି ଥରେ ବଣିକ ବେଶରେ

ଫୁଲଟିଏ ହୋଇ..... || ୨ ||

 

ଭଲପାଇବାଟା ଅପରାଧ ନୁହେଁ

ଭୂଲିଯିବା ଅପରାଧ

ପ୍ରେମ କରିବାଟା ଅପରାଧ ନୁହେଁ

ପ୍ରତାରଣା ଅପରାଧ ||0||

 

ଅପରାଧ କରି କେଉଁ ଅପରାଧି

ସହଜେ ଯାଉଚି ଖସି

ପ୍ରେମର ବେଦୀରେ ପଦେ କଥାଦେଇ

କିଏ ବା ପାଉଛି ଫାଶୀ

କଥା ଦେଇଦେବା ଅପରାଧ ନୁହେଁ

ନରଖୁବା ଅପରାଧ ୧|

 

ଏଇ ଦୁନିଆରେ ପ୍ରେମର ନାଆଁରେ

କେତେ ମାନ ଅଭିମାନ

କିଏ ବା ଜଳୁଛି ବିରହ ନିଆଁରେ

କା ପାଇଁ ମଧୁର ମିଳନ

ଅଭିମାନ ସେତ ଅପରାଧ ନୁହେଁ

ଅଭିନୟ ଅପରାଧ ||୨||

 

ପର୍ବତ ଶିଖରେ ଘର କରିଥିଲି

ପବନ ଉଡେଇନେଲା

ଅଳପ ଦିନକୁ ଭାବ କରିଥିଲୁ

ଝୁରିଝୁରି ଦିନଗଲା ||o||

 

ଫଗୁଣ ମାସରେ ଆମ୍ବର ବଉଳ

ମହ ମହ ତାର ବାସ

ଆମଘର ପଟେ ଚାଲିଗଲା ବେଳେ

ମାରୁଥିଲ ଖଣ୍ଡିକାଶ

ନସର ପଶର ଆମ ଘର ଆଗେ

ମନୁ କି ପାଶୋର ଗଲା |୧|

 

ଚଇତ୍ର ମାସରେ ଚଇତି ଘୋଡ଼ା

ବାଡ଼ିରେ ରୁଇଁଛି ଖଡ଼ା

ତମ ସାଥେ ଯେବେ କଥା ହେଉଥିଲି

ଜଗିଥିଲେ ତୁମ ବୁଢ଼ା

ଲୁଚେଇ ଛପେଇ ଟୁପଟାପ କଥା

କିଏ ସେ ଚୋରାଇ ନେଲା ||୨|

 

ଅଗଭୀର ସାଗର ମୁଁ

ତଟିନୀରେ ଖୋଜିନାହିଁ

ମଲାଆଶା ଆକାଶେ ମୋ

ଜହ୍ନ କାହିଁ ଉଠିନାହିଁ ||o||

ସପନ ଦିତୀୟା ଜହ୍ନ

ପ୍ରଜାପତି ପ୍ରୀତିଚିହ୍ନ

ଫୁଲର ଫଗୁଣ ଯେତେ

ଅଭିଆଡ଼ୀ ହସ ନେଇ

କେବେଠୁ ଯାଇଛି ଚାଲି

ମୋଠୁ ପରବାସୀ ହୋଇ ।।୧||

 

ଲହରୀ ମୋ ଶୂନ୍ୟତାରେ

ଝୁରିଝୁରି ମଥା କୋଡ଼େ

ବୟସର ଅଂଗନରେ

ଜୁଆର ତ ଆସେ ନାହିଁ

ଅଗଭୀର ତୋ ପାଇଁ

ସେବେଠୁ ଯାଇଛି ହୋଇ || ୨ ||

 

ଏ ଆଖି ଦେଖିଛି ହାଏ ତମ ବଧୂବେଶ

ଏ ଛାତି ସହିଛି ହାଏ ସେ ବିରହ ଦୁଃଖ

ଅଭିଯୋଗ ନୁହେଁ ଏ ତ ଖାଲି ଅବଶୋଷ

ପ୍ରତିବାଦ ନାହିଁ ପିନ୍ଧିଥାଅ ବଧୂବେଶ ....||o||

 

ସେ ଆଖିରେ ସ୍ମତିବୋଲି ନାହିଁ କିଛି

ଏ ଆଖି ମରୁଛି ଝୁରି

ସେ ଛାତିରେ ପ୍ରୀତି ଗାଇଯାଏ ଗୀତି

ଏ ଛାତିରେ ନିଆଁ ଜାଳି

ହୃଦୟକୁ ମୋର କେମିତି ଭାଙ୍ଗିଲ

ଜାଣି ଜାଣି ଦେଲ ଦୋଷ

ପ୍ରତିବାଦ ନାହିଁ ....II୧I

 

ସେ ହାତରେ ଚୂଡ଼ି ଶଙ୍ଖାର ସଙ୍ଖୋଳି

ଏ ହାତ ପାଉନି ସାହା

ସେ ପାଦେ ନୂପୁର ଅଳତାର ଗାର

ଏ ପାଦର ନାହିଁ ରାହା

ସେ ଦିନର ସେହି ଛୋଟ ଭୂଲ ପାଇଁ

ନିଜ ହାତେ ଦେଲ ବିଷ

ପ୍ରତିବାଦ ନାହିଁ.... || ୨ ||

 

ସବୁଦିନେ ଯଦି ବରଷା ହୋଇ

ବରଷି ଯାଆନ୍ତା ପ୍ରିୟା

ନିତି ମୁଁ ଭିଜନ୍ତି ସେଇ ବରଷାରେ

ଅଧରେ ଲେଖନ୍ତି ନାଆଁ |[o||

 

ପ୍ରିୟା ଯେବେ ମୋର ଫୁଲହୋଇ ଫୁଟିବ

ଛୁଇଁଦେଲେ ମନକଢ଼ି ସରମରେ ଲୋଟିବ

ସବୁଦିନେ ଯଦି ପ୍ରୀତିରସ ହୋଇ

ଝରିଯାଆନ୍ତା ମୋ ପ୍ରିୟା

ନିତି ମୁଁ ଭିଜନ୍ତି ସେ ପ୍ରୀତି ରସରେ

ଅଧରେ ଲେଖନ୍ତି ନାଆଁ

ସବୁଦିନେ ଯଦି... ||୧||

 

ମାନସୀ ମୋର ସିଏ କଥା ରଖେ ନାହିଁ

ଯେତେ ସବୁ ବରଷାର ମାନେ ବୁଝେ ନାହିଁ

ସବୁଦିନେ ଯଦି କଥାଦେଇ ମୋତେ

କଥା ରଖୁଥାନ୍ତା ପ୍ରିୟା

ନିତି ମୁଁ ଭିଜନ୍ତି ସେ କଥା ବରଷାରେ

ଅଧରେ ଲେଖନ୍ତି ନାଆଁ

ସବୁଦିନେ ଯଦି.... || ୨ ||

 

ମୋ ମନୁ ସରାଗ ମରିଗଲା ପରେ

ତମେ ମୋତେ ଭଲପାଉଛ

ପୀରତି ପରାଗ ଉଜୁଡ଼ିଲା ପରେ

ଏବେ ଭାରି ମନେ ପଡୁଛ ||୦||

 

ପ୍ରେମ ଅଭିନୟ ନଈଟିଏ ହୋଇ

ପ୍ରତାରଣା ମୋତେ ଦେଇଛ

ପିଆସୀ ସାଗର ବୁକୁରେ ତମେ

ବିରହର ବିଷ ଭରିଛ

ଦୂରେ ବହୁ ଦୂରେ ଆଶା ଆର ପାରେ

ସପନରେ ଘର କରିଛ

ତମେ ମତେ... |୧|

 

ଭଲପାଇ ଥରେ ଭୂଲିଯିବା ପାଇଁ

ସିନ୍ଦୁରର ଅଳି କରିଛି

ଓଢ଼ଣା ଖୋଲିଲେ ନାଇଁ କହି କହି

ଅଭିନୟେ ବଧୂ ସାଜିଛି

ପ୍ରେମ ଧୂଳିଖେଳ ଅଭୁଲା ସେ ବେଳ

ସହଜରେ ଭୁଲିପାରିଛ

ତମେ ମତେ.... 119 ||

 

ସେନେହ ସୋହାଗ ଶିରୀ ସବୁତ ଯାଇଛି ସରି

ବଂଚିଛି ଏଠି ମୁଁ ହାଏ ମରିଚିକା ଆଶା କରି

ଅବୁଝା ମନର ଶୋଷ ଆଶା ମରୁବାଲି ପରି

ରହିଛି ମୋଠୁ ଦୂରେ କୁହୁଡ଼ିର ଘର କରି | o||

ଏକାଥିଲି ଭଲଥିଲି

ଭଲପାଇ ଭୁଲକଲି

ତମକୁ ପାଇବି ବୋଲି

ନିଜକୁ ହଜେଇ ଦେଲି

ତମେ ସିନା ଗଲ ଭୁଲି ଏଠି ମୁଁ ମରୁଛି ଝୁରି ।

ସେନେହ ସୋହାଗ ଶିରୀ.... ||୧||

 

ପାଦ ତଳେ ଚୋରାବାଲି

ମଥାରେ କଳଙ୍କ ବୋଳି

କଳଙ୍କିନୀ ତମ ପାଇଁ

ବସିଛି ମୁଁ ଦୀପଜାଳି

ଦୀପର ସଳିତା ପରି ଜଳିଯିବି ଥିରିଥିରି

ସେନେହ ସୋହାଗ ଶିରୀ ....191

 

ମୋ ପଛରେ ଛାଡ଼ିଆସିଲି ଯେ

ଅଫେରା ଅତୀତ (୨)

ମୋ ଗୀତରେ ଗାଇବସିଲି ଯେ

ହୃଦୟ ସଂଗୀତ (୨)

କିଏ ଶୁଣୁଥିଲା

କିଏ ଝୁରୁଥିଲା

ଚୁପ୍ ଚାପ ବସି ମୋଅରି ଗୀତ

ମୋ ଅଫେରା ଅତୀତ ||o||

 

ଜୀବନ ନଉକା ଭାସିଭାସି ଯାଏ

ତଲେଇ କରିଛି ଠିଆ

କାହାର ପଣତ ବାନ୍ଧି ମୁଁ ଦେଇ

କିଏ ସେ ମାନସୀ ପ୍ରିୟା

କାହା ଲାଗି ଆଜି ଗୀତ ମୁଁ ଗାଏ

କା ସାଥେ ବସିଛି ମିତ

ମୋ ଅଫେରା ଅତୀତ ||୧||

 

ଫେରେଇଦେ ବୋଲି ଯେତେ

ନିରବେ ହେଉଛି ଠିଆ

ମୁହଁକୁ ଫେରେଇ ଚାଲି ଯେ ଯ

ମୋ ମନେ ଲଗେଇ ନିଆଁ

ଫେରିକି ପାରିବ ବତିଥିବା ଦିନ

ମିଳନ ମଧୁର ଗୀତ

ମୋ ଅଫେରା ଅତୀତ || ୨ ||

 

ମୋ ଏ ପାଖେ ସାଗର ସେ ପାଖେ ନଇ

ମଝିରେ ଜଳୁଛି ମୁଁ କାହା ପାଇଁ

ଦରିଆର ନଇ

ଜହ୍ମର ତ କଇଁ

ମୁଁ ଝୁରେ କାହାପାଇଁ.... କାହାପାଇଁ.... ||o||

ମୋ ଏ ପଟେ ଚକୋର ସେପଟେ ଚକୋରୀ

ମଝିରେ ଶୋଇଛି ପିଆସୀ ନଈ

ନିଝୁମ୍ ଏ ରାତି

କଥା କୁହା ଛାତି

ଶୋଷରେ ମରେ ଟୋପେ ପାଣି ପାଇଁ

ଏତେ ସପନକୁ ରାତି କାହିଁ

ମୁଁ ଝୁରେ କାହା.... I୧I

 

ମୋ ଏପଟେ ମଶାଣୀ ସେପଟେ ବେଦୀ

ମଝିରେ ବସିଛି ମୁଁ କନିଆ ସାଜି

ଛାତିରେ ପରାଶ

ମୁହଁ ହସହସ

ଓଠ ଅଠା ଅଠା ଯାଏ ଶୋଷେଇ

ସବୁ ସ୍ଵପ୍ନ ସତ ହୁଏ ନାହିଁ

ମୁଁ ଝୁରେ କାହା..... || ୨ ||

 

ପ୍ରଥମ ଦେଖାରେ ଓଠ ଖୋଲିଲନି

ଗାର ଟାଣୁଥିଲ ମାଟିରେ

ପ୍ରିୟତମା ବୋଲି କହିଦେଲି ଖୋଲି

ନାଲି ପଡ଼ିଗଲ ଲାଜରେ ||o||

 

ଆଖିରେ ଆଖିରେ ସବୁ କହିଦେଲ

ଭାଷା ତ ନ ଥିଲା ଓଠରେ

ଚାହାଁଣୀରେ ହାଏ ହୃଦୟ ହାଣିଲ

ନିଆଁ ଲଗେଇଲ ମନରେ

ଲାଜେଇ ଲାଜେଇ ଚାହୁଁଥିଲ ତମେ

ଆଖି ମିଶିଗଲେ ଆଖିରେ ।୧୮।

 

ଲାଜେଇ ଲାଜର ମହୁ,ଝରାଇଲ

ମହୁଆ ସାଜିଲ ନିଶାରେ

ନିଶାରେ ନିଶାରେ ପ୍ରେମ ଶିଖାଇଲ

ଜୀଇଁଛି ଏବେ ମୁଁ ପ୍ରେମରେ ।

ନିଜକୁ ନିଜେ ମୁଁ ଅଡୁଆ ସୂତାରେ

ତମରି ପ୍ରଥମ ଦେଖାରେ ||୨|

 

ପାଦର ପାଉଁଜି ହଜିଗଲା ମୋର

ଯମୁନା ନଈର କୂଳେ

ତୁଠ ପଥରରେ ପାଦ ମାଜୁଥିଲି

କଅଁଳ ଗାଧୁଆ ବେଳେ ||o||

 

ବେଳ ଗଡ଼ିଗଲା ଗାଧୁଆ ତୁଠରେ

ହଜିବା ଖୋଜିବା ଖେଳରେ

ମିଳିଲାନି ସିନା ପାଦର ପାଉଁଜି

ଆଖି ମିଶିଗଲା ଆଖିରେ

ପ୍ରିୟତମା ବୋଲି ଡାକିଦେଲ ତମେ

କଦମ୍ବ ଗଛର ମୂଳେ I୧I

 

ଧରାପଡ଼ିଗଲି ଭିଜା ଦେହଟାରେ

ତମରି ଖୋଜିଲା ନଜରେ

ପଣତ କାନିକୁ ଓଠେ ଚାପି ଧରି

ଗାର ଟାଣୁଥିଲ ମାଟିରେ

ପ୍ରଥମ ଦେଖାରେ ବାଟ ହୁଡ଼ିଗଲି

ଯମୁନା ନଈର କୂଳେ [୨]

 

ତମ ଗାଁ ନଈକୂଳ ଲାଜୁଆ ପବନ

ସାଇଁସାଇଁ ଝାଉଁବଣ ଜହ୍ନର ଚୁମ୍ବନ

ଲେଖିଯାଏ ମୋ ଦେହେ ଫଗୁଣ ଠିକଣା

ଚୂପିଚୁପି କହେ କେତେ ଜଣା ଯେ ଅଜଣା ||o||

 

ଭରିଦେଲା ମୋ ସପନେ ଫୁଲର ବାସନା

ପ୍ରଜାପତି ରଂଗ ଆଉ ରୂପେଲୀ କାମନା

ପହିଲି ଆଷାଢ଼ରେ ଓଦାମାଟି ବାସ୍ନା

ତୁମ ନୀଳଆଖି ମୋତେ କଲ ଆନମନା

ତୁମ ଗାଁ ପିରତିରେ ବୋଳା ଏକ ଅଗଣା

ପ୍ରେୟସୀ ଗୋ ତୁମ ହାତେ ମୁଁ ଏକ ଖେଳନା

ଲେଖିଯାଏ... ||୧|

 

ମତୁଆଲୀ କୋଇଲିର କୁହୁତାନ

ଗାଇଆଳ ପିଲାର ବଂଶୀସ୍ଵନ

ତାରାଫୁଲ ମିଟି ମିଟି ଆକାଶ

ପୁଲକରେ ଭରିଦିଏ ମୋ ମନ

ତୁମ ଗାଁ ପିରତିରେ ବୋଳା ଏକ ଅଗଣା

ପ୍ରେୟସୀ ଗୋ ତୁମେ ମୋର ଶେଷ ଠିକଣା

ଲେଖିଯାଏ... |୨|

 

ଭୁଲିଯାଅ ବୋଲି ଯେତେ କହିଲେବି

ଭୁଲିପାରିବନି ମୋତେ

ତୋ ଛାତି କଲିଜା ଭିତରେ ମୋ ଘର

କେମିତି ଭୁଲିବୁ ସତେ ||o||

 

ନିଦ ବିନା ରାତି ପାହିଗଲା ଯେବେ

ଚିଠି ଲେଖିବାର ବେଳେ

ଛାତିରେ ସାଇତା ଅନୁଭବ ଯେତେ

ଛପିଗଲା ସେତେବେଳେ

କେଉଁ ରଂଗ ମାଖି ଧଉଳେଇ ଦେବୁ

ମୋ ପାଇଁ ସପନ ଯେତେ ||୧||

 

କୁଆଁରୀ ମନରେ ରହିଗଲା ଯେତେ

ପ୍ରଥମ ଛୁଆଁର ସ୍ମୃତି

କାହାଣୀ ସାଜିଲା ବିତିଥିବା ଦିନ

ମିଠା ଅନୁଭବ ଗୀତି

ଦେହ ଧୋଇଦେଲେ ଲିଭିଯିବ ନାହିଁ

ମନର ପରାଶ ଯେତେ || ୨ ||

 

ମୋ ଶବଧାରରେ ଲୁହ ଟୋପେ ହୋଇ ଝରିବନି.... ଝରିବନି

ଅପରାଧୀ ବୋଲି ଅନୁତାପ କରି ଝୁରିବନି... ଝୁରିବନି |୦||

 

ଯାଇଛି ସେଦିନ ଫୁଲର ଫଗୁଣ

ଆଉ ନାହିଁ ଆଜିକାଲି

ଚଇତ ହୋଇଛି ଲୁହର ଶ୍ରାବଣ

ଜୀବନ ସାହାରା ବାଲି

ଭଲ ପାଉଥିଲ ବୋଲି କା ଆଗରେ କହିବନି... କହିବନି ।୧I

 

ଆପଣାର କରି କହିଥିଲି କାନେ

ଭଲଲାଗ ସବୁ ଦିନେ

ମରୁଝଡ଼ ପରି ଆସିଥିଲ ଯେବେ

ମୋ ଜୀବନ ଉପବନେ

ଶେଷଦିନ ଯାଏ ଏ ଗୋପନ କଥା ଖୋଲିବନି... ଖୋଲିବନି || ୨ ||

 

ହଳଦୀ ଚନ୍ଦନ ନାଇ ନୂଆବୋହୁଟିଏ ହୋଇ

ସପନେ ଭିଜାଇ ତୁମ ମୁହଁ

ହଜି ନୂଆସପନରେ ମିଳନର ଲଗନରେ

ଭୁଲିକି ପାରିବ ମୋତେ କୁହ ||o||

 

ଟିପିଟିପି ପାଦେ ଥିବ ଅଳତାର ଗାର

କେତେ ଛନ୍ଦେ ବାଜୁଥିବ ପାଦର ନୂପୁର

ତମେ ସିନା ସପନର ପରୀ ସାଜିଥିବ

ମୋ ଭଲ ପାଇବାକି ଆଉ ମନେ ଥିବ

ଝରିଝରି ଲୁହ ଆଉ ଝରେ ନାହିଁ

ସାଇତିଛି କିଛି ଯାହା କୋହ ||୧||

 

ଆଉ କାର ବଧୂହୋଇ ଯେବେ ବସିଥିବ

ମୋରି ପରଶ କୁହ କେମିତି ଭୁଲିବ

ମୁଁ ସିନା ସାଜିଥିବି ବିରହୀ ପ୍ରେମିକ

ପ୍ରେମିକା ଜାତିର ଲାଗି ତମେଗୋ କଳଙ୍କ

ସେ କଳଙ୍କ ବୋଳି ଦେବିନି ଗୋ ଗାଳି

ତମେ ମୋର ସେଇ ସୁନା ଝିଅ || ୨ ||

 

ମନରେ ଝରକା ଖୋଲି ବସିଲି

ନୂଆ ଠିକଣାରେ ଚିଠି ଲେଖିଲି

ନୂଆଝିଅ ତାର କଅଁଳ ମନ

କଅଁଳ ଛାତିରେ ଲକ୍ଷେ ସପନ

ଗୋଲାପୀ କାଗଜ ଗୋଲାପୀ ଓଠ

ପିଆସୀ ଆଖିରେ ଅମଡ଼ା ବାଟ

ଚାଲି ଶିଖି ବାଟ ହୁଡ଼ିଲି ||୦||

 

ଅଳସ ଭାଙ୍ଗିଲା କୁଆଁରୀ ନିଦ

ପାହିଗଲା ରାତି ସାଜିଲା ବାଦ

ପାହାନ୍ତି ଦିନରେ ପଡ଼ିଲି ଶୋଇ

ପ୍ରିୟାର କୋଳରେ ମଥାକୁ ଦେଇ

ଡାକିଲା କିଏ ସେ ନିଦରୁ ଉଠ

ଭିଡ଼ ହୋଇଯିବ ଗାଧୁଆ ତୁଠ

ଡାକ ଶୁଣି ଉଠିପଡ଼ିଲି |୧|| |

 

ଓଦା ସର ସର ଭିଜା ତା ଦେହ

ଗାଧୁଆ ତୁଠର ଲାଳୁଆମୁହଁ

ଚହଲା ପାଣିରେ ସପନ ଛାଇ

ସତେକି ନଈରେ ଫୁଟିଛି କଇଁ

ତା ଓଠରେ ଓଠ ଦେଲି ଛୁଆଁଇଁ

ସରଗରେ ନଈ ଗଲା ଲାଜେଇ

ମୋ ଚିଠିରେ ଇତି ଲେଖିଲି || ୨ ||

 

ନରମୀ ଓଠର ସରମୀ କଥାରେ

ଧରାଦେଲା ଜହ୍ନରାତି

ବସନ୍ତ ଛୁଆଁରେ ମୋ କାନେ କହିଲା

ସିଏ କାଳେ ଲାଜବତୀ ||o||

 

ଲାଜକୁଳି ଲତା ଲାଜେ ପୋତି ମଥା

ଚୂପିରୂପି କହେ କଥା

ପ୍ରଥମ ପ୍ରେମରେ ଫୁଲମତି ହେଲା

ଗାଇ ପିରତିର ଗାଥା

ଫୁଲବନେ ଫୁଲରାଜକୁମାରୀ ସେ

ଛାତିରେ ଭରିଲା ତାତି |୧|

 

ନାହିଁ ନାହିଁ କଲା କଥା ନ ମାନିଲା

ଫଗୁଣକୁ ସାଥ କଲା

ପ୍ରଥମ ପ୍ରେମରେ ପ୍ରୀତିର ଗରଳ

ଆଖି ଲୁହେ ପେଇଦେଲା

ପଣତ ନିଆଁରେ ଜାଳିଦେଇ କହେ

ଭାରି ଲାଗୁଛି ଏ ରାତି || ୨ ||

 

ମନରେ ଝରକା ଖୋଲି ବସିଲି

ନୂଆ ଠିକଣାରେ ଚିଠି ଲେଖିଲି

ନିଜଠୁ ଲାଗୁଛି ସିଏ ନିଜର

ମୋଅରି ମନର କରିଛି ଘର ।

ସେ ଘରେ ସାଜିବି ମୁଁ ନୂଆବୋହୁ

ତା ଇଚ୍ଛାପଛେ ସିଏ ଯାହା କହୁ

ମଥାରେ ଓଢଣା ମୋର ଟାଣିଲି lo||

 

ଅଝଟ ଅବୁଝା ହୋଇଲେ ମନ

ତୋଳି ଆଣିଦେବ ସରଗ ଜହ୍ନ

ଗେଲରେ ଗେଲରେ ପଡ଼ିଲେ କଟି

ତାଆର କୋଳରେ ଯିବି ମୁଁ ଲୋଟି

ମଥାରୁ ଓଢ଼ଣା ଖସାଇ ଦେବ

ଆଦରରେ ମୋତେ କୋଳେଇ ନେବ

ସିନ୍ଥିରେ ସିନ୍ଦୂର ଗାର ଟାଣିଲି |୧|

 

ହାତପାଆନ୍ତାରେ ସରଗ ସୁଖ

ଭୁଲିବି ଜୀବନେ ଯେତିକି ଦୁଃଖ

ବେଦୀରେ ମିଶିବ ହାତରେ ହାତ

ସତେକି ସପନ ହୋଇବ ସତ

ସିଏ ମୋର ପ୍ରେମ ମୁଁ ତାର ପ୍ରୀତି

ସାତ ଜନମକୁ ହୋଇବ ସାଥୀ

ମୋ ଚିଠିରେ ଇତି ଲେଖିଲି I୨I

 

ଖୋଜି ଖୋଜି ଆଜି ପାଇଛି ତମକୁ

ଅନେକ ଖୋଜିବା ପରେ

ଚୂପିଚୂପି ଆସି ପାଦ ଥାପି ଦିଅ

ମୋ ମନର ଇଲାକାରେ ||o||

 

ଖୋଜିବା ପରଠୁ ହଜି ମୁଁ ଯାଇଛି

ତମରି ସପନ ବେଦୀରେ

ହଜାଇ ନିଜକୁ ଖୋଜିତ ପାଉନି

ମୋ ମନର ଅଗଣାରେ

ସରିଛି ସବୁ ମୋ ଖୋଜିବାର ନିଶା

ତମକୁ ପାଇବା ପରେ I୧I

 

ଶରତ ସକାଳ ଶିଶିର ବିନ୍ଦୁ ମୋ

ଝରିପଡ଼ ମନ ଗାଲିଚାରେ

ପିୟାସୀ ମନ ମୋ ସାଇତିଛି କିଛି

ତମ ପାଇଁ ଆଜି ଗୋପନରେ

ପ୍ରେମ ଶିଳାଲେଖ ଲେଖିଦିଏ ଥରେ

ଗୋପନ ପୀରତି ପରଶରେ ।[୨]

 

ତୁମରି ଗାଆଁରେ ସୂରୁପ ଡୁବିଲେ

ମୋ ଗାଁରେ ଆସେ ସନ୍ଧ୍ୟା

ନିରୋଳା ରାତିରେ ଭାରି ମନେପଡ଼

ପ୍ରିୟା ମୋର ପ୍ରୀତିନନ୍ଦା ||o||

 

ଚାଲି ତୁମ ଚାଲିନୁହଁ ଅଲିଅଳି ନଇ

ଗୁଣୁଗୁଣୁ ଗୀତଗାଇ ଯାଉଛିରେ ବହି

ସେଇ ନଇ ପଥଧାରେ ଥାଏ ଚୋରାବାଲି

ଖସିଗଲେ ପାଦ ଥରେ ମୁହଁପଡ଼େ ନାଲି

ଫୁଲେଇ ସେ ନଇ ତାର ବାଟ ଚାହିଁ

ବିତିଯାଏ କେତେ ସନ୍ଧ୍ୟା

ପ୍ରିୟା.... I୧I

 

ଲାଜକୁଳି ଲତା ନୁହଁ ଲାଜୁଆ ତା କଥା

ସରମରେ ଚାହିଁଦେଲେ ଜହ୍ମପଡ଼େ ଫିକା

ସେଇ କଥା ଲାଗେ ମିଠା ଯୋଡ଼ିଦିଏ ମନ

ମୋତି ମାଳ ହସ ତାର ତୁଛ ଲାଗେ ଧନ

ଭଲପାଏ ବୋଲି କହିଦେଲେ ଥରେ

ସରଗ ପଡ଼ିବ ବନ୍ଧା

ପ୍ରିୟା...... || ୨.

 

କିଛି ଲାଭ ନାହିଁ ପୁନେଇଁ ରାତିରେ

ଏକା ଏକା ଏକା ବୁଲିବାରେ

ଭାବର ଦୁନିଆଁ ଯେଣୁ ଦିଇ ଦିନିଆ

ଲାଭ ନାହିଁ ଲୁହ ଢାଳିବାରେ |0||

 

ମନ ଅବଶୋଷ ମେଣ୍ଟିଯିବ ସିନା

ଆଖିଲୁହ ଓଠ ପିଇଗଲେ

ଛାତି ଅବଶୋଷ ଅବୁଝାଟି ଯେଣୁ

ବୁଝନା ସେ ଲୁହ ଝରିଗଲେ

ଅମଡ଼ା ବାଟରେ ଲାଭ ହୁଏ ନାହିଁ

ବାଟ ଚାଲି ବାଟ ହୁଡ଼ିବାରେ I୧I

 

ଭାରି ଅଝଟିଆ କାନକୋଳି କଣ୍ଟା

ବୁଝେନା ପଣତ ଚିରିଗଲେ

ଅଧା ବାଟଟାରେ ହଟହଟା କରେ

ବୁଝେକି ସେ ମନ ମରିଗଲେ

ଚନ୍ଦନ ବଣରେ ନିଆଁ ଧରିଗଲେ

କିବା ଲାଭ ଥାଇ ନଇରେ || ୨ ||

 

ଟୁକୁଡ଼ା କାଚକୁ ସାଉଁଟି ଯୋଡ଼ିଲେ

ଆଇନା ପାଲଟି ଯାଏନା

ଭଙ୍ଗା ଆଇନାରେ ମୁହଁ ଦେଖିଦେଲେ

କାହା ମୁହଁ ଭାଙ୍ଗିଯାଏନା ||o||

 

ଦରଦି ମନର ସାଇତା ବ୍ୟଥାକୁ

ନିରବ ଓଠର ଅକୁହା କଥାକୁ

ସମସ୍ତଙ୍କୁ କହି ହୁଏନା

ଅବୁଝା ଲୁହରେ ପଣତ ଭିଜେଇ

ମନର କୋହକୁ ମନରେ ବୁଝେଇ

ମନ ବ୍ୟଥା ଭୁଲି ହୁଏନା ||୧||

 

ମନର ମଣିଷ ପର କରି ଦେଲେ

ଆପଣା ଛାତିରେ କାତି ଭୂଷିଦେଲେ

ପରତ ଆପଣା ହୁଏନା

ଗହନ ବନରେ ନିଆଁ ଲାଗିଗଲେ

ଚହଳ ପକେଇ ନେହୁରା ହୋଇଲେ

ମନ ନିଆଁ ଲିଭି ଯାଏନା || ୨ ||

 

ମୋ ପ୍ରିୟା କାହିଁ.... (୨)

ଜହ୍ନ କହେ ନାହିଁ ନାହିଁ

ଜହ୍ନ କହ ମୋ ପ୍ରିୟାର ଠିକଣା....

ଜହ୍ନ ଟିକେ ହସିଦେଲା, ଜୋଛନା ତା ବିଂଚିଦେଲା

କହିଦେଲା ପ୍ରିୟା ମୋର ମାଡ଼ିନାହିଁ ତା' ଘର ଅଗଣା ||o||

 

ମୋ ପ୍ରିୟା କାହିଁ.... (୨).

ରାଜନୀଗନ୍ଧା କହୁନାହିଁ

ରଜନୀଗନ୍ଧା କହିଦେ...

ତୋ ମହକ ବାସନାରେ, ମୋ ପ୍ରିୟାକି ରହିପାରେ

କହିଥିଲା ପ୍ରିୟା ମୋର ଯିବବୋଲି ତୋରି ଅଗଣା |୧|

 

ମୋ ପ୍ରିୟା କାହିଁ... (୨)

ସାଗର କହିଲା ଜାଣେ ନାହିଁ

ସାଗର କହ ମୋ ପ୍ରିୟାର ଠିକଣା...

ସାଗର ତ ହସିଦେଲା, ଜୁଆର ତା କହିଦେଲା

ସରମୀ ପ୍ରିୟା ମୋର ଶାମୁକାରେ ଲେଖୁଥିଲା ନାଆଁ ll ୨ ll

 

ହୃଦୟ କାଗଜରେ ପ୍ରେମର କଲମରେ

ଲେଖିଛି ପ୍ରିୟା ତୁମରି ନାଆଁ

ଫୁଲର ବଗିଚାରେ ମହୁର ମହକରେ

ପାଇଛି ପ୍ରିୟା ତୁମରି ଛୁଆଁ ||o||

 

ଅଳସୀ ନଇର ତୁଠ ପରେ ବସି

ମନରେ ଜାଳିଛି ନିଆଁ

ନିଜଠୁ ନିଜର କେତେ ଆପଣାର

ଏକା ତମେ ମୋର ପ୍ରିୟା

ତମ ଲାଗି ସିନା ଆପଣା ଲାଗୁଛି ତମରି ଗାଁ I୧I

 

ସପନ କାଳିରେ ଆଜି ମୁଁ ଦେଇଛି

ପାନ ପତରରେ ତୀର

ଭଲପାଏ ବୋଲି କହିପାରେ ନାହିଁ

ଅମାନିଆମନ ମୋର

ଛାତି କଥା ମୋର ଆଖିରେ କହୁଛି ତୁମକୁ ପ୍ରିୟା ||୨|

 

ବୟସ ଡାଳରୁ ବସନ୍ତର ପକ୍ଷୀ ଉଡ଼ିଗଲା ପରେ

ଏବେ ଭାରି ମନେ ପଡୁଛ

ନିରୋଳା ରାତିର ସପନ ଛାତିରୁ ଜନ୍ମ ଡୁବିଗଲେ

ତମେ ଭାରି ମନେପଡୁଛ ||o||

 

ମୋ କଥାକି ମନେ ଭାଳୁଛ

ଉଜାଗର ନିଶି ପାହୁଛ

ଚିଠି ଲେଖି ଲୁହ ଢାଳୁଛ

ପ୍ରେମର ନାଆଁରେ ବିରହ ନିଆଁରେ

ଥରି ଥରି କିବା ଜଳୁଛ

ହୋ ତମେ ଭାରି ମନେପଡୁଛ ୧|

 

ମୋ ପୁରୁଣା ଚିଠି ପଡୁଛ

ଉଦାସି ଉଦାସି ଲାଗୁଛ

ଗଭାରେ କି ଫୁଲ ଖୋସୁଛ

ପୁରୁଣା ଦିନ ମିଛ ସପନ

ମନେ ମନେ କିବା ଖୋଜୁଛ

ହୋ ତମେ ଭାରି ମନେପଡ଼ୁଛ ।୨]

 

ଫୁଲର ରାଣୀ ଫୁଲରେ ବେଣୀ

ସଜେଇ ହେଇଛ

ଫୁଲଟି ଦେଇ ଫୁଲେଇ ହେଇ

ମନକଥା କହିନ

ଭଲପାଇଛ ପ୍ରେମ କରିଛ ହୃଦୟ ଦେଇନ

ପ୍ରିୟା ଗୋ ତମେ ପ୍ରେମର ମାନେ କିଛି ବି ବୁଝିନ , loll

 

କଥା ହେଇ ଚିଠି ଲେଖି

ମୋ ଚିଠି ପଢ଼ିନ

କୁହୁଡ଼ି ଘରେ ସ୍ଵପ୍ନଦେଇ

ପ୍ରବଣତା ଦେଇନ

ପ୍ରିୟା ଗୋ ତମେ ପ୍ରେମର ମାନେ କିଛି ବି ବୁଝିନ I୧I

 

ମିଛିମିଛିକା ବଧୂ ସାଜିଛ

ସିନ୍ଦୁର ପିନ୍ଧିନ

ଭଲପାଇ ପୁଣି ଭୁଲିପାରିଛ

ବିରହ ବୁଝିନ

ପ୍ରିୟା ଗୋ ତମେ ପ୍ରେମର ମାନେ କିଛି ବି ବୁଝିନ ||୨|

 

ଦୂର ବିଦେଶୀ ସାଧବ ପୁଅ ମୁଁ

କିଣିଛି ଏକ ରୂପାର ଜହ୍ନ

ହୀରା, ନୀଳା, ମୋତି ମାଣିକ ଦେଇନି

ବଦଳେ ବିକିଛି ମୋ ମନ ||o||

 

ମନ ତ ମନ କୁଆଁରୀ ମନ

ଜହ୍ନ ତ ଜହ୍ନ ପୁନେଇ ଜହ୍ନ

ସେ ଜହ୍ନେ କଳଙ୍କ ନାହିଁ

ଚିବୁକର କଳାଯାଇ ଚିହ୍ନ

(ହେଲେ) ରାଗିଗଲେ ରୁଷିଗଲେ

ଅମାନିଶୀ ହୁଏ ତା ଅଭିମାନ

ଦୂର ବିଦେଶୀ.... ||୧||

 

କଥା ହେଲେ କହେ ଲାଗୁଛି ଲାଜ

ଫୁଲ ଝରି ମନ ତାର ପହିଲି ରଜ

ଦ୍ବିତୀୟ ଜହ୍ନ ପରି

ହସ ତାର କିରିକିରି

(ଥରେ) ସରାଗରେ ଧରାଦେଲେ

ପୀରତିରେ ଗୋଳିହୁଏ ମୋ ମନ

ଦୂର ବିଦେଶୀ... 191

 

ଅଜଣା ବାଟୋଇ କେମିତି ଜାଣିବ ଜୀବନ ବାଟରେ ଖସିବ ଗୋଡ଼

ଅଜଣା ବାଟରେ ବାଟ ଚାଲୁ ଚାଲୁ କାହିଁକି ଆସଇ ଏମିତି ଝଡ଼

ଅଦିନିଆ। ଝଡ଼ ଭାଙ୍ଗିଦେଇଯାଏ

ସୁଖ ସପନର ନୀଡ଼

କିଏ ଜାଣିଥିଲା ଜୀବନ ବାଟରେ

ଆସିବ ଏମିତି ମୋଡ଼

ଛାତି କୋହ ସବୁ ଆଖିଲୁହ ହେଇ

ଆପେ ଆପେ ଝରିଯାଏ

କେମିତିକା ଜୀବନ ଇଏ

କେମିତିକା ବନ୍ଧନ ଇଏ ||oll

 

ଭଙ୍ଗା ଆଇନାରେ ପ୍ରତିଛବି ପରି

ଦୁଃଖ ଆସେ ରହି ରହି

ହୃଦୟ ଭାଙ୍ଗିଲେ କାଚଖଣ୍ଡ ପରି

ସାଉଁଟି ପାରେନା କେହି

ନିଦ ହଜିଗଲେ ରାତିର ଆୟୁଷ

ଆପେ ଆପେ ବଢ଼ିଯାଏ

କେମିତିକା ଜୀବନ ଇଏ

କେମିତିକା ବନ୍ଧନ ଇଏ |୧|

 

ମେଘକୁ ଆକାଶ ପଚାରେ ନା କେବେ

ଝଡ଼ ଆସିବକି ନାଇଁ

ଝଡ଼ର ବତାସ ବୁଝିବ କାହିଁକି

ନୀଡ଼ ଭାଙ୍ଗିବ କି ନାଇଁ

ସ୍ନେହ ମମତାର ଏମିତି ଏ ତୋର

ଲୁହରେ ଭିଜେଇ ଦିଏ

କେମିତିକା ଜୀବନ ଇଏ

କେମିତିକା ବନ୍ଧନ ଇଏ ||୨||

 

ଭାଗ୍ୟରେ ବିଧାତା ଲେଖିଛି ଏକଥା

ଆସିବ ଏମିତି ଦିନ

ସୁଖର ନଇରେ ଗାଧୋଉଥିଲା ଯେ

ଦୁଃଖରେ କାଟିବ ଦିନ

ଜୀବନ ଜଗିଛି ମରଣ ବାଟକୁ

 

ମରଣ ଆସୁନି ହାଏ

କେମିତିକା ଜୀବନଇଏ

କେମିତିକା ବନ୍ଧନଇଏ || ୩ ||

ଜୀବନଟା ଖାଲି ଜଉଘର ବୋଲି

କେହି ତ କହିଲେ ନାହିଁ

ଟିକିଏ ଖରାରେ ଜଳିଯିବ ବୋଲି

ଜାଣି ମୁଁ ପାରିଲି ନାହିଁ

ସୁଖ ବୋଲି ଗୋଟେ ଏମିତି ଜିନିଷ

ଧରାଦେଇ ଖସିଯାଏ.

କେମିତିକା ଜୀବନଇଏ

କେମିତିକା ବନ୍ଧନଇଏ I୪I

 

ଜୀବନ ଶେଯରେ ଫୁଲର ପାଖୁଡ଼ା

ସଜା ହେଇଥିଲା ଦିନେ

ଫୁଲ ନୁହେଁ ସେତ କଣ୍ଟା ପାଲଟିବ

କିଏ ଭାବିଥିଲା ମନେ

ଜୀଇଁବାର ମାନେ ଜୀବନ ନୁହଁଇ

ଜୀବନ୍ତ ମରଣ ଇଏ

କେମିତିକା ଜୀବନ ଇଏ ।

କେମିତିକା ବନ୍ଧନ ଇଏ I୫I

 

ସୁନା ଥାଳିଆରେ ରୂପାର ଚାମଚ

ଖାଉଥିଲା ଯିଏ ବସି

ସୁନା ମୁହଁଟିରେ ଖସିପଡୁଥିଲା

ପୁନେଇଁର ଚାନ୍ଦ ଆସି

ବଞ୍ଚିବା ପାଇଁ କି ଜୀବନ ଜୀଉଁଛି

କେତେ ହୀନିମାନ ହୁଏ

କେମିତିକା ଜୀବନ ଇଏ

କେମିତିକା ବନ୍ଧନ ଇଏ || ୬ ||

 

ମୁଁ ଗହନ ନିଦରେ ଶୋଇଥିଲି

ମୋ ନିଦ ଭାଙ୍ଗିବନି କହିଥିଲି

ମୋ ନିଦ ଭାଙ୍ଗିଲ କାହିଁକି

ମତେ ଚିଠି ଲେଖିଲ କାହିଁକି

ମୁଁ ତୁମକୁ କି ରାଣ ଦେଇଥିଲି ||o||

 

କାଲି ସକାଳେ ତୁମ ଗାଁ ଆଡ଼େ ଯାଇଥିଲି

ଝରକା ଫାଙ୍କରେ ପ୍ରିୟା ମୁଁ ତୁମକୁ ଦେଖିଥିଲି

ତୁମେ ଆଇନାଟେ ଧରି ବସିଥିଲ

ଆଖିରେ କଜଳର ଗାର କାଟୁଥିଲ

ଲାଜେଇ ଲାଜେଇ ଚାହୁଁଥିଲ

ମୁଁ ମନେ ମନେ ଭଲପାଇଗଲି I୧IL..

 

କାଲି ସଂଜରେ ଫୁଲ ଦୋକାନକୁ ଯାଇଥିଲି

ତୁମରି ପାଇଁ ନାଲି ଗୋଲାପଟେ କିଣିଥିଲି

ତୁମେ ସାନଭାଇ କାହିଁ ଆସିଥିଲା

ଆମ ଘର ଆଡ଼େ ମୋତେ ଖୋଜୁଥିଲା

ଫୁଲ ନେଇ ଚିଠି ଦେଇଗଲା

ମୁଁ ତୁମରି ସପନେ ହଜିଗଲି |୨|

 

ଚିଠିଲେଖା ଭୁଲିଗଲ

ଏସେମେସେ କଲ

ରାଣଦବା ଭୁଲିଗଲ

ହାଏବାଏ କଲ

ସତକୁହ ତମେ ପ୍ରେମ କଲନା

ମାଇଣ୍ଡି ଫ୍ରି କଲ ||o||

 

ମହୁଠୁ ଭାରି ମିଠା

ହାତଲେଖା ଚିଠି

ଚିଠିକୁ ଛୁଇଁଥାଏ

. ପ୍ରିୟାର ଆଙ୍ଗୁଠି

ଇ-ମେଲ୍ ଆଇଡ଼ି ଦେଲ

ମେଲ୍ ଦେଖିବାକୁ ଭୁଲିଗଲ

ତମେ ଏମିତି କେମିତି ବଦଳିଗଲ

ସତକୁହ..... I୧I

 

ଆଗରୁ ଖାଣ୍ଟି ସୁନା ଥିଲ

ବୋଉ କଥା ମାନୁଥିଲ

ହାତ ନଖ ଖୁଣ୍ଟୁଥିଲ

ସାଇବର କେଫ୍ ଗଲ

ଅନଲାଇନ୍ ଚାର୍ଟିଂକଲ

ତମେ ଏମିତି କେମିତି ବଦଳିଗଲ

ସତ କୁହ....... ||୨|

 

ବୋଉଲୋ ତୋ ଜୁଆଇଁ

ଜମା ବୋଲ ମାନୁନାହିଁ ||o||

 

ବାପା ଗାଡ଼ିଦେଲେ ବୁଲେଇ ନବାକୁ

ଏମିତିକା ଲୋକ ଜଣେ

ଗାଡ଼ି ପଛପଟେ ବସେଇ ବୁଲାଏ

ଧରମ ଭଉଣୀ ପଣେ

କେତେ କାନ୍ଦିବି ମୁଁ କଇଁ କଇଁ

ବୋଉଲୋ.... ||୧||

 

ରାତି ଅଧ ହେଲେ ଘରକୁ ଫେରନ୍ତି

ଅଫିସରେ କାମଭିଡ଼

ସିନେମା ଟିକେଟ ଧରି ମୁଁ ବସୁଛି

କହନ୍ତି ଆଜିକ ଛାଡ଼

ଗଭା ସଜେଇବି କାହାପାଇଁ

ବୋଉଲୋ..... || ୨ ||

 

କାଣି କଉଡ଼ିଟେ କେବେ ଦେବେ ନାହିଁ

ପିନ୍ଧୁଛି ଖଣ୍ଡିଏ ଶାଢ଼ୀ

ମାସକ ଦରମା ବାପାଙ୍କୁ ଦିଅନ୍ତି

ପକେଟକୁ ଝାଡିଝୁଡ଼ି

ଲୁହପୋଛି ଦିନ ସରୁ ନାହିଁ

ବୋଉଲୋ..... || ୩ ||

 

ସେଲୁନ୍‌ରେ ବାଳ କାଟୁଛି

ଇସ୍ତ୍ରୀ କରି ସାର୍ଟ ପିନ୍ଧୁଛି

ପକେଟରେ ଫୁଲ ଖୋସୁଛି

ମନେମନେ ପୁଅ ଭଲପାଉଛି

ବାପା କହିଲେ ବାହା ହବାକୁ ନାହିଁ କରୁଛି ||ol

 

 

ଝିଅଘର ପୁଅ ଦେଖି ଆସିଲେ

ବାଡ଼ିପଟେ ଯାଇ ଲୁଚି ଯାଉଛି

ନାଇଁ ନାଇଁ ଜମା ବାହା ହେବିନି

ଯୁଗ ମହରଗ ହେଲାଣି ଭାଇ

ଜାଣିଶୁଣି କିଏ ହାତୀ ପୋଷୁଛି

ଲୁଚିଛପି ପୁଣି ପ୍ରେମ କରୁଛି ।୧I

 

ଚାହୁଁ ଚାହୁଁ ଯୁଗ ବଦଳିଗଲା

ବାହାହବ ବୋଲି ମନା କରୁଥିଲା

ସାହିରୁ ଝିଅଟେ ବୁଲେଇ ନେଲା

ଚଣ୍ଡି ମନ୍ଦିରରେ ସିନ୍ଦୂର ଦେଲା

ଭୋଜି ଖାଇବାକୁ କହିଲେ କହୁଛି

କୋର୍ଟରେ ସବୁ କାମ ସରିଛି || ୨ ||

 

ଯୋଡ଼ା ବୟସଟା ଅଡୁଆ କଲାଣି

ବୋଉ କରେ ନା... ନା...

ଅଣ୍ଟା ନଇଲାଣି ତଥାପି କହୁଛି

ଏସନ ଦେବନି ବାହା

ମତେ ଧର... ଧର... ଧର... ||o||

 

ଆଖିକୁ ତାର ଦିଶୁନି

କାମକୁ ଆଉ ପାରୁନି

ଦିହ ପା ଭଲ ରହୁନି

(ହେଲେ) ପୁଅ ବାହା ନାଁ ଧରୁନି

ଭାଉ କଖୁଛି କେବେ ପୁଅର ମୂଲ

ବାହା ବଜାରେ ହେବ ହଜାର ।୧।

 

ଭାରି ଫୁଲେଇ ଝିଅ ମୋ ପ୍ରେମିକା

ନାକ କାନ୍ଦୁରୀ

ଗୋଟେ ଚାଉଳେ ଗଢ଼ା ତନୁ ତାର

ଅତି ସୁନ୍ଦରୀ

ସକେଇ କହିଛି ଏସନ ନ ହେଲେ

ମରିଯିବ ଝୁରିଝୁରି

ନା ମୁଁ କହିପାରୁଛି ନା ମୁଁ ସହି ପାରୁଛି

ମତେ ଧର... ଧର... ଧର... ll ୨ ।

 

ଶନିବାର ଦିନ ଘରକୁ ନ ଗଲେ

ଘରଣୀ ପକାଏ କଟି

ଘରେ ବସି ବସି ହିସାବ ରଖୁଛି

ମାସରେ କେଇଟା ଛୁଟି ||o||

 

ସୋମବାର ଦିନ ଅଫିସ ଆସିଲେ

କୁହେ ରହିଯାଅ ଆଜି

କଥା ନ ରଖିଲେ ମୁହଁକୁ ଫୁଲାଏ

କଳେବଳେ କରେ ରାଜି

ଅଫିସର ଏଣେ ରାଗ ଗରଗର

ହାତଗୋଡ଼ ହୁଏ ଛାଟି |୧|

 

ମଙ୍ଗଳବାରଟି ଭଲଦିନ ନୁହେଁ

ବୁଧବାର ଦିନ ଯିବ

ଏମିତି ଏମିତି ସାତଦିନ ଯାକ

ଘରେ ରହି ଦିନ ଯିବ

ଘରଣୀ ପ୍ରେମରେ ଘରେ ରହିଗଲେ

ଚାକିରୀ ହୋଇବ ଛୁଟି || ୨ |

 

ଖରା ମରିଗଲା ଝାଇଁ

ସଜନା ଗଛରେ ଛାଇ

କାନ୍ଦୁଚୁ ତୁ କଇଁ କଇଁ

ବାହା ହବାକୁ ଜମା ତୋ ମନ ନାହିଁ ||o||

 

(ତୋର ବରଟା) ମଥାରେ ଭିଡ଼ି ପଗଡି

ଚଢ଼ିଛି ମାରୁତି ଗାଡ଼ି

ବରଯାତିରି ଧାଡ଼ିକି ଧାଡ଼ି

ବଜେଇ ତେଲିଙ୍ଗି ବାଜା

ଆସୁଛି ନିଶକୁ ମୋଡ଼ି

ଆଲୋ ଫୁଲେଇ ତତେ ନେଇଯିବ ଲୋ ବୋହୁ ସଜେଇ

କେତେକାନ୍ଦୁଛୁ.... ||୧|

 

(ତୋର ବରଟା) ବେଦୀରେ ଦେବ ଚୁମୁଟି

ପଡ଼ିଲେ ହାତରେ ଗଣ୍ଠି

ଆସିଲେ ବାସର ରାତି

ମଥାରୁ ଓଢ଼ଣା କାଢ଼ି

ଲାଜ ତକ ନବ ଲୁଟି

ଆଲୋ ଫୁଲେଇ ତା ପାଖେ ସାରାରାତି ହବୁ ଗେହ୍ଲେଇ

କେତେକାନ୍ଦୁଛ... ll ୨ ||

 

ଯୋଉ ଦିନ ହେଲା କନିଆଁ ଦେଖା

କହିଲ ହେବି ବାହା

ବାପା ବୋଉକୁ କରେଇ ରାଜି

ତୋ ନାଆଁରେ ଯୋଡ଼ିବି ମୋ ନାଆଁ lo।

 

କଅଁଳ କହି ମଉନ ମୁହିଁ

ଏମିତି ଖଣ୍ଡେ ଜଣା ପଡ଼ିଲା ନାହିଁ

ସବୁ ଦୋଷଯାକ ମୋ ଉପରେ ଲଦି

ଗୋଟାଯାକ ତୁମେ ସୁନା ପିଲା

ବୁଡ଼ିବୁଡ଼ି ଝିଅ ପାଣି ପିଉଥିଲା

ଗାଁଟାଯାକ ପଡ଼ିଲା ହାଲ୍ଲା

ମିଛଟାରେ ବର ଖୋଜୁଛି କିଆଁ I୧I

 

ଆସୁଛି ଆଜି ବର ବେଶରେ

ବାଜା ବଜେଇ ଗାଁ ମୁଣ୍ଡରେ

ଜିତିଛି ବୋଲି ବାଜି

ବାଣ ଫୁଟେଇ ରୋଷଣୀ ଜାଳି

ବର ଯାତିରି ସାଙ୍ଗରେ ଧରି

କହି କହିବା ସତକୁ ସତ

ହୋଇ ପଡ଼ିଲ ବାହା |୨|

 

ଏସନ ଫଗୁଣେ ବାହାତିଥି ନାହିଁ

ବୟସ ଗଲା ମୋ ଗଡ଼ି

ବାପା ନାଇଁନାଇଁ ବୋଉ ନାଇଁ ନାଇଁ

ସରମେ ଗଲିଣି ସଢ଼ି ||o||

 

ଚାକିରୀ କଥାତ’ ଯାହାବି ହେଲାଣି

ଶୁଣିଲେ ମାଡ଼ୁଛି ଡର

ହେଲେ ଏ ଫଗୁଣ କିଛି ବି ବୁଝୁନି

ଦେହେ ମୋର ପ୍ରେମଜର

ଯଉତୁକ ନାହିଁ ରୋଜଗାର ନାହିଁ

କେମିତି ଚଢ଼ିବି ଗାଡ଼ି ।। ୧I

 

ପାଠପଢ଼ାବେଳେ କଥା ଦେଇଥିଲା

ହେବ ବୋଲି ଯିଏ ମୋର

ଚାକିରୀଆ ବର ବାହାହୋଇଗଲା

ପ୍ରେମରେ ବାନ୍ଧିଲା ଡୋର

ପ୍ରେମ ନାହିଁ ନାହିଁ ଝିଅ ମିଳୁନାହିଁ

ଛାଡ଼ିଲେଣି ମୋର ଦାଢ଼ି ||୨||

 

ହଳଦୀ ଗୁରୁଗୁରୁ ଲୋ

ରାଉତ ଘରର ବୋହୁ

ମୁହଁକୁ ସୁକେଇ

ଓଠକୁ ବଙ୍କେଇ

କାଇଁ ବାପଘରକୁ ଯାଉଲୋ

ବାପଘରକୁ ଯାଉ ||o||

 

ନୁକୁ ଝୁକୁ ଶାଶୁର ଗଞ୍ଜଣା

ସହି ସହି ଦେହ ପୋଡ଼ା ଗୋଜଣା

ଜୋଇଁଟି ପାଠୁଆ

ଦିଅର ମଠୁଆ

କାଇଁ ମନରୁ ପାଶୋରୀ ଦେଉଲୋ

ମନରୁ ପାଶୋରୀ ଦେଉ ।।୧୩।

 

ଶଶୁର ଧରିଛି କାଠ ଫାଳିଆ

ବିଲେଇ ଖାଇଛି ମାଛ ବାଳିଆ

ଆମ୍ବୁଲ ମାଠିଆ

ଶୁଖୁଆ ତାଟିଆ

ସବୁ ଚୁଲି ନିଆଁକୁ ଯାଉଲୋ

ଚୁଲି ନିଆଁକୁ ଯାଉ || ୨ ||

 

(ତୋର) ଅଣ୍ଟା ନକ ନକ ବାଉଁଶ କଣି

କେମତି କୂଅରୁ କାଢିବୁ ପାଣି

ସହିବୁ ଶାଶୁ ଗଂଜଣା

ବାଜିବ ନିନ୍ଦା ବାଜଣା

ଜଣାପଡ଼ିବ ଲୋ ତୋର ଘରକରଣା ||୦||

 

(ତୁଲେ) ସରୁ ପତ ପତ ଡେଙ୍ଗେଇ ରଣା

ଚାଳବାଜି ମୁଣ୍ଡ ହୋଇବ କଣା

ପାଦକେ ଦେବେ ଖୁଣ୍ଟଣା

ଶିଖାଇ ନାନା ସଣ୍ଠଣା

ବାପ ଘର ବଦ୍ଧି ତୋର ହୋଇବ ବଣା

ଜଣା ପଡ଼ିବ ଲୋ .....I୧I

 

(ତୁଲୋ) ନାକ ସଡ଼ ସଡ଼ ସିଂଙ୍ଗାଣୀ ନାକୀ

ଓଠ ଶିଝିଲାଣି ଦୋକତା ଜାକି

ନାକରା ନାକର ଗୁଣା

ନଣନ୍ଦ ଦେବ ଗଞ୍ଜଣା

ଶାଶୁ ଘରେ ବୁଦ୍ଧି ତୋର ହୋଇବ ବଣା

ଜଣାପଡ଼ିବ ଲୋ...... ||୨|| ।

 

ଘର ଅଗଣାରେ ଡାମରାକାଉ

ରାବଦେଲା ରାଉରାଉ

ଖୁଦରୁ ମୁଠିଏ ବିଞ୍ଚିଦେଏଲୋ

ରାଉତ ଘରର ବୋହୁ

ବିଦେଶୁ ଆସିବେ ପତି

ଖୁସିରେ ଭରିବ ଛାତି |୦|| ।

 

କାଉ ଖାଇଲାନି ଚାଉଳ ମୁଠି

ତରକି ଚାଳରୁ ଗଲାଣି ଉଠି

ଆଜି ଆସିବେନି ତୋ ପ୍ରାଣଧନ

ପକାଇ ଦିଏଲୋ ତାଟି

ବଇରୀ ସାଜିବ ରାତି

ଛାତିରୁ ଲିଭିବ ତାତି ।।୧//

 

ରଜଦୋଳ ସବୁ ସରିତ ଗଲାଣି

ଗଭା ମଲ୍ଲୀମାଳ ବାସିହୋଇଲାଣି

କାହିଁ ଆସିଲେନି ତୋ ପ୍ରାଣଧନ

ତୋତେ କି ଭୁଲିଗଲେଣି

ପୁରୁଣା ହେଲାଣି ପ୍ରୀତି

ପଥର କରିଦେ ଛାତି || ୨ ||

ଯୁଗଳ ବନ୍ଦୀ

 

ପୁ - ପ୍ରିୟା ପାଇଁ ମୋର ଗାଧୁଆ ତୁଠରେ

ତୁଠ ପଥର ମୁଁ ହେବି

ଝି – ତମ ପାଇଁ ପ୍ରିୟ ଯମୁନା ଘାଟରେ

ନିତି ମୁଁ ଗାଧେଇ ଥିବି ||o||

 

ପୁ - ହଳଦୀବୋଳା ଛନଛନ ତମ ଗୋରା ଦେହ

ଛୁଇଁ ଛୁଇଁ ଯାଉଥିବି ଏଇ କଥା ମୋତେ ଦିଅ

ଝି – ଛୁଇଁଯିବ ଦେହକୁ ମୋର ଏ କଥା କି କୁହ

ମନା ନାହିଁ ନେବ ଯଦି ମନ ମୋର ନିଅ

ପୁ - ଗାଧୋଇବା ବେଳେ ପାଦ ମାଜିଦେଲେ

ତମ ଛୁଆଁ ପାଉଥିବି

ଝି - ପାଦ ମାଜିବିନି ଦୂରେ ଦୂରେ ରହି

ତୁମ ପାଇଁ ଝୁରିହେବି |୧|

 

ପୁ - ମନ ଥରେ ଦେଲାପରେ ତୁଛ ଏଇ ଦେହ

ନେବ ଯଦି ଦେଇଦେବି ପରାଣ ମୋ ନିଅ

ଝି – ନାଇଁ ନାଇଁ ତମେ ମୋର ଇହପର ପ୍ରିୟ

ଅଭିମାନ କର ନାହିଁ ଯା ନବ ତା ନିଅ

ପୁ - ଗାଧୋଇ ସାରି ତମେ ଚାଲିଗଲେ

ଲେଉଟା ପଥକୁ ଚାହିଁଥିବି

ଝି – ଫେରିବା ବାଟରେ ତମ କଥା ଖାଲି

ମନେ ମନେ ଭାବୁଥିବି |୨|

 

ପୁ- ଚା ଚା ଚା ଚାରୁ ଚହ୍ଳା ଚଟଣୀ

ଝି – ଯା ଯା ଯା ଦେଖାନି ତୁ ଫୁଟାଣି ||oll

ପୁ- ବେଣୀରେ ଝୁଲେଇ ମଲ୍ଲୀହାର

ଖାଉଛୁ ଇଡିଲ ସମ୍ବର

ସମ୍ଭାଳି ରଖ ଲୋ

ଉଡ଼ିଗଲା ଚୁନୁରୀ ତୋର

ଦେଖେଇ ଦେଖେଇ ଦଉଚୁ ଖସେଇ

ତୁ ଲୋ ପକ୍କା ସିହାଣୀ ।୧I

 

ଝି –ଯାହାର ଯାହା ଉଡ଼ିଗଲା

ତୋର କଣ ଗଲା

ପୁ - ପଡ଼ିଲେ ମୋଅର ଛାଇ

ତୋର କାଇଁ ଡେଉଁଛି ନାହି

ଝି- ଦେଖେଇ ଦେଖେଇ ଦେବିରେ ଫସେଇ

ଘର ମୋର ଜଟଣୀ || ୨ ||

 

ପୁ- ଲାଙ୍ଗା ପିନ୍ଧି ଦିଶୁଛୁ ନଂଘା

ପକେଇ ଦେବି ବେକରେ ପଘା

ଝି – କାଗଜ ବାଘର ଦେଖରେ ଛଇ

ଭାବିଛି ମନେ ଦବ ପଟେଇ

ପୁ- ପଟେଇ ପାଟେଇ ନେବି ଲୋ ଉଡେଇ

ମାରନା ଚୋରା ଚାହାଣୀ || ୩ ||

 

ପୁ ଆଇଲା ବାଘ ଘାଇଲା କରିବ

ଆପେ ଆପେ ଝିଅ ପ୍ରେମରେ ପଡ଼ିବ Ilo||

 

ଝି ପ୍ରେମବାଟ ଅଙ୍କାବଙ୍କା

ନୁହେଁଟି ସଳଖ

ପୁ ଗୋଲାପ ପରି ଶେଯ

ଝି କଣ୍ଟା ବି ଅଳପ

ପୁ ପାଦ ଟିପି ଟିପି ଚାଲୁଥା ସଳଖି

ଖସିଗଲେ ଗୋଡ଼ କଥାଟା ସରିବ

ଝି ଆଇଲା...

ଆପେ ଆପେ ପୁଅ ପ୍ରେମରେ ପଡ଼ିବ I୧I

ଝି ଇସ୍ତ୍ରୀକରା ମନ ଅଛି

ଭଲ ମିସ୍ତ୍ରୀ ନାହିଁ

ପୁ ଭଙ୍ଗା ହୃଦୟକୁ

ଝି ଯୋଡ଼ି ହେଉନାହିଁ

ପୁ ଭଙ୍ଗା ହୃଦୟକୁ ପ୍ରେମର ମଲମ

ଫେବିକଲ ଅଠା ଜାବୁଡ଼ି ଧରିବ

ଝି ଆଇଲା ବାଘ............. || ୨ ||

ଝି ଡେଟିଂରେ ଯିବା କେବେ

କର ଗୋଟେ ରିଙ୍ଗ୍

ଝି ଟୋଣ୍ଟିଟୋଣ୍ଟି ମ୍ୟାଚ୍ ଭଲ

ପୁ ଟେଷ୍ଟମ୍ୟାଚ୍ ବୋରିଂ

ଝି ପ୍ରେମ ଫ୍ରେମ ବେକାର କଥା

ଆସ ଯଦି ଟାଇମ୍ ପାଶ୍ କରିବ

ପୁ ଆଇଲା ବାଘ........ || ୩ ||

ନାୟିକା : ସପନ ସଉଦା ସରିଯିବା ପରେ

ତମେ ପରଦେଶୀ ହୋଇଛ

ମୋ ଲୁହ ସାଗରେ ବୋଇତ ଭସାଇ

କାହିଁ କେତେ ଦୂରେ ଯାଇଛ |[o||

ନାୟକ : ସଉଦାଗର ମୁଁ ସପନ ଚିଜର

ଜହ୍ନରେ କରିଛି ଘର

ବସନ୍ତ ପରଶେ ନୀଳ ବୋଇତରେ

କରେ ମୋର କାରବାର

ନାୟିକା : ସପନ ସାଥିରେ ମୋ ମନ ସଉଦା

ଜାଣିଜାଣି କରି ବସିଛ I୧I

ନାୟକ : ପିୟାସୀ ଆଖିରେ ତୁମ ନୀଳ ପାରାବାର

ତୁମରି ପଣତେ ବାନ୍ଧେ ଏ ବୋଇତ ମୋର

ଲୁହର ସାଗରକୁ ଭଲପାଏ ନାହିଁ

ସପନରେ ଫୁଲଶର ନିତି ମାରୁଥାଇ

ନାୟିକା : ମନ ଦିଆନିଆ ହୋଇଗଲା ପରେ

ଶାମୁକା ନିଦରେ ଶୋଇଛି || ୨ ||

 

ପୁ- ପାନ ପତରକୁ ଚୂନ

ଝି- ମନଦେଇ ନିଅ ମନ

ପୁ- ପାନ ପତରକୁ ଗୁଆ

ପୁଅକୁ ଝିଅଟେ ଥୁଆ

ଝି- ହେଉଛ କିଆଁ ଛାନିଆଁ

ସୁନା ମିଳେ ଥିଲେ କାନ

ଦୈ– ମନଦେଇ ନିଅ ମନ ||0||

 

ଝି- କାଉ ନେଇଗଲା ଶୂନ

ଆମ ପଛେ ଧାଇଁ ଧାଇଁ

ବିତିଗଲା ତୁମ ଦିନ

ପୁ- କେଳା ଛାଡ଼ିବନି ନଳ

ମାଛ ଛାଡ଼ିବନି ଜଳ

ହୁଅନା ଆଉ ଉଚ୍ଛନ୍ନ

ଦୈ– ମନଦେଇ ନିଅ ମନ ।।୧I

 

ଝି- କୋଇଲିର ମିଠା କୁହୁ

ଫୁଲରେ ଅଛିରେ ମହୁ

କାହାପାଇଁ ଏତେ ଭାଉ

ପୁ- ଫୁଲ ମହୁ ଫୁଲେ ଥାଉ

ଭଅଁର ବଣକୁ ଯାଉ

ଧନ ଥିଲେ ମିଳେ ମନ –

ମନ ଦେଇ ନିଅ ମନ || ୨ ||

 

ନାୟିକା : କଥା ଦିଅ ମୋ ମଥାରେ ସିନ୍ଦୁର ହୋଇବ

ଭଲପାଇ ଭୁଲିବନି ମୋ ସାଥିରେ ରହିବ ।

ନାୟକ : ତୁମ କୁନି କୁନି ପାଦେ ଅଳତା ମୁଁ ହୋଇବି

ତୁମ ଗାଲେ କଳାଜାଇ କରି ମୋତେ ରଖିବ

ନାୟିକା : କଥା ଦିଅ ମୋ ମଥାରେ ସିନ୍ଦୁର ହୋଇବ Ilo||

 

ନାୟିକା : ଭଲପାଇ କିଏ କେବେ ଭୁଲିପାରେ ନାହିଁ

ବିରହ ତାତିକୁ କେହି ସହିପାରେ ନାହିଁ ।

ନାୟକ : ତୁମ ବିନା ଜୀବନର ମାନେ କିଛି ନାହିଁ

ତୁମ ଛଡ଼ା କାହାକୁ ମୁଁ ଭଲପାଇ ନାହିଁ

ନାୟକ କୁହ କେବେ ତୁମ ମନ ଝରକାଟି ଖୋଲିବ

ନାୟିକା : କଥା ଦିଅ ମୋ ମଥାରେ ସିନ୍ଦୁର ହୋଇବ I୧I

 

ନାୟକ : ତୁମେ ଯଦି ଭୁଲିଯାଅ କିଛି କହିବିନି

ତୁମ ପାଇଁ କବିତା ମୁଁ ଆଉ ଲେଖିବିନି

ନାୟିକା ମହୁ ଚାଖି ଯଦି କେବେ ତୁମେ ଉଡ଼ିଯାଅ

ଆଉ କେଉଁ ଭଅଁରକୁ ଭଲ ପାଇବିନି

ନାୟିକ : ସଂଦେହୀ ମନ ଛାଡ଼ି କିଗୋ ଆପଣାର ହୋଇବ

ନାୟିକା : କଥା ଦିଅ ମୋ ମଥାରେ ସିନ୍ଦୁର ହୋଇବ || ୨ ||

 

ପୁ: ତୁ ଯୋଉ ଗାଁର ପୋଖରୀ

ମୁଁ ସେଇ ଗାଁର ପାଣି

ଝି: ତୁ ଯୋଉ ଗାଁର ଚୁମ୍ବକ

ମୁଁ ସେଇ ଗାଁର ଖଣି

ପୁ: : ଆଲୋ (୨) ଆଲୋ ମଣି

ଭାବ ବିନୋଦିଆ ଭୂଲିଗଲୁଣି ।

ଝି ତୁ ଯୋଉ ଗାଁର ବାଉଁଶ

ମୁଁ ସେଇ ଗାଁର କଣି

ଯା ଯାରେ ଫକଡ଼ରାମ

ଦେଖାନି ଫୁଟାଣି

ପୁ::       ତୁ ଯୋଉ ସାପର ଫଣା

ମୁଁ ତା ମଥାର ମଣି

ଯା ଯା ଲୋ ଫୁଲେଇ ରାଧୀ

ପିଆଇ ଦେବି ପାଣି

ପୁ:      ଆଲୋ ଆଲୋ.... ||୧|

ଝିତୁ ଯୋଉ ଟଙ୍କାର ରେଜା

ମୁଁ ତାଆରି ଚୋରା ମୁଣି

ଯା ଯା ରେ ଅଚଳ ଟଙ୍କା

ଗଣୁଥା ଚାରେଣି

ପୁ::       ତୁ ଯୋଉ ଗଛର ପଇଡ଼

ମୁଁ ତାଆରି ମିଠା ପାଣି

ସଜ ହୁଅଲୋ ସିଙ୍ଗାଣି ନାକି

ସବାରୀ ଯିବ ଆଣି

ଆଲୋ ଆଲୋ .... ||୨||

 

 

ପ୍ରବୋଧ ରାଉତ

ଜୀବନଧର୍ମୀ କବିତାରେ

ଭରପୂର ଆଦ୍ୟ ଯୌବନ :

କବିତା ଏକାବନ

 

ନୂଆହେଇ ଗାଳ୍ପିକ ହେବାକୁ

ସକସକ :

ଗପସପ

 

ନାଟୁଆ ହେବାର ଯେତେସବୁ

ନିଖୁଣ ଚାରୁକଳା :

ନାଟ୍ୟଶାଳା

ଗୀତବହିର ଗୀତ

ବେତାର, ଦୂରଦର୍ଶନ, କ୍ୟାସେଟ୍

ଓ ସିନେମାରେ ଝଙ୍କୃତ

ବେଶ୍ ଆଦୃତ ।

ନିରୋଳାରେ ଗୁଣୁଗୁଣେଇବାକୁ

ଅଭିପ୍ରେତ ।

– ପ୍ରକାଶିକା