ଜଗତର ନାଥ ଜୟ ଜଗନ୍ନାଥ ବସିଅଛ ତୁମ୍ଭେ ସର୍ବଜନ ନାଥ।
ଜଗତର ହିତ କରିବା ପାଇଁକି ଜଣାଉଛି ମୁହିଁ ଜଗତ ସାଇଁଙ୍କି ।
ମୋହର ପ୍ରାର୍ଥନା ପ୍ରଭୁ ଘେନାକର ଜଗତ ପ୍ରାଣୀଙ୍କୁ କରୁଣା ବିତର।
ତୁମ୍ଭର ଆଶୀଷ ଟିକିଏ ହୋଇଲେ ସଂସାରରେ ଶାନ୍ତି ବିରାଜିବ ଭଲେ।
ସୃଷ୍ଟି କରୁଅଛ ନୁଆ ନୁଆ ଖେଳ ଶାନ୍ତି ନଥିଲେ ତ। ହୋଇବ ବିଫଳ।
ଦ୍ୟୁ ଲୋକରେ ଶାନ୍ତି,ଅନ୍ତରୀକ୍ଷ ଶାନ୍ତି ପୃଥିବୀର ଶାନ୍ତି ସାଗରର ଶାନ୍ତି ।
ଓୌଷଧର ଶାନ୍ତି, ବନଷ୍ପତି ଶାନ୍ତି ବିଶ୍ୱେ ଦେବା ଶାନ୍ତି, ଜନେ ରହୁ ଶାନ୍ତି ।
ସର୍ବ ସ୍ଥାନେ ଶାନ୍ତି ପ୍ରକଟିତ ହେଉ ଜଗତର ଦୁଃଖ ପ୍ରଭୁ ଲିଭି ଯାଉ।
ବିଶ୍ୱବାସୀ ସର୍ବେ ଭୁଲି ଭେଦ ଭାବ ତୁମ୍ଭକୁ ସ୍ମରନ୍ତୁ ଆହେ ବିଶ୍ୱ ଦେବ ।
ଆନନ୍ଦରେ ଲୀଳା କରିବାକୁ ପ୍ରଭୁ କଲ୍ୟାଣ କରନ୍ତୁ ସର୍ବ ଜନ ବିଭୁ ।
ଓଁ ତତ୍ ସତ୍
ଜୟ ଶ୍ରୀ ଜଗନ୍ନାଥ
ଭୂମିକା
ଶ୍ରୀ ଜଗନ୍ନାଥଙ୍କୁ ମୋର କୋଟି ନମସ୍କାର ଜନ୍ମ ଜନ୍ମାନ୍ତରେ ପୁତ୍ର ରୂପେ ଜନ୍ମ ମୋର।
ବହୁ ଜନ୍ମ ବିତିଗଲା ନ ଗଲା ମୋ ଭ୍ରମ ଭ୍ରମ ଘୁଞ୍ଚିବାକୁ ମୁହିଁ କରି ନାହିଁ କର୍ମ ।
ପରମ ପିତାଙ୍କ ଆଶୀର୍ବାଦ ଏବେ ହେଲା ତାଙ୍କ ନାମ ଧରିବାକୁ ମନ ମୋ ବଳିଲା।
ପୁରାତନ ଶାସ୍ତ୍ର ପଢିବାରେ ମନ ଦେଲି ବିଶେଷ ଉପକାର ମୁଁ ଶାସ୍ତ୍ରରୁ ପାଇଲି।
ଜୀବର ଚାରୋଟି ୠଣ ଶୁଝିବାର ଅଛି ୠଣ ପରିଶୋଧ ପାଇଁ ଆସୁଛି ଯାଉଛି।
ଯାହାଠାରେ କଉଣସି ୠଣ ରହି ନାହିଁ ତାହାଠାକୁ ତ ସମନ ଯିବ କାହିଁ ପାଇଁ।
ପିତୃ ୠଣ, ମାତୃ ୠଣ, ଗୁରୁ ୠଣ ଜାଣ ଆଉ ଅଛି ଏକ ଗୋଟି ତାହା ୠଷି ୠଣ ।
ସନ୍ତାନ ସନ୍ତତି ହେଲେ ପିତୃ,ମାତୃୠଣ ଶିକ୍ଷା ପାଇ ଶିକ୍ଷା ଦେଲେ ଯାଏ ଗୁରୁ ୠଣ ।
ମୁନି ୠଷିମାନେ ଶାସ୍ତ୍ର ଲେଖି ଯାଇଛନ୍ତି ତାଙ୍କ ଶାସ୍ତ୍ର ପଢି ଲୋକେ ସୁଜ୍ଞାନୀ ହୁଅନ୍ତି।
ଭବିଷ୍ୟତ ବଂଶ ପାଇ କିଛି ହିତ କଥା ଲେଖିଗଲେ ରତ୍ନ କଟିବ ଜାଣିଥା।
ଏହାସିନା ଜାଣିଲି ମୁଁ ନାହିଁ ମୋର ବୁଦ୍ଧି କି ଉପଦେଶ ଲେଖିବି ବୁଦ୍ଧି ମୋ ତମାଦି।
ଏଣୁ କରି ବିଚାରିଲି ବିଭିନ୍ନ ଶାସ୍ତ୍ରରୁ ଯାହା ପଢିଅଛି ସାର ଆଣିବି ସେଥିରୁ।
ସବୁ ଶାସ୍ତ୍ରୁ ଭଲ ଭଲ ରତ୍ନ ମୁଁ ଆଣିବି ଏକଠାବ କରି ମାଳାଟିଏ ଗୁନ୍ଥି ଦେବି।
ଏ ମାଳାକୁ ଯେ ପିନ୍ଧିବ ଅତି ଆଦରରେ ସମସ୍ତ ଶାସ୍ତ୍ରର ସାର ମିଳିବ ତାହାରେ।
ମୋର ନିଜ କୃତ ରତ୍ନ ମଣି ଏହା ନୁହେଁ ମହାମ ନବମାନଙ୍କ ରଚିତ ମଣି ଏ।
ୠଷି ୠଣ ଶୁଝିବାକୁ ଏ ବାଟ ଧରିଲି ମୋ ଦୋଷ କ୍ଷମା କରିବ ଏତିକି କହିଲି।
ଗୁଣୀ ଜନମାନେ ମୋର ନ ଧରିବ ଦୋଷ ଥରେ ପଢିଲେ ମନରେ ପାଇବ ସନ୍ତୋଷ।
ଆପଣ ସନ୍ତୋଷ ହେଲେ ମୁଁ ହେଲି ମୁକତ ୠଷି ୠଣୁ ମୁକ୍ତ ହେବି କହୁଛି ନିଶ୍ଚିତ।
ଯେଉଁମାନେ ସବୁ ଶାସ୍ତ୍ର ପଢି ସାରିଛନ୍ତି ସେମାନଙ୍କ ପାଇଁ ଟିପା ଖାତା ଏ ହୋଇଛି।
ଯେଉଁମାନେ ହେଳାକରି ଶାସ୍ତ୍ର ନ ପଢନ୍ତି ସେମାନେ ପଢିଲେ ତାଙ୍କ ତୁଟିଯିବ ଭ୍ରାନ୍ତି।
ଅତି ଆଦରରେ ସେହୁ ଶାସ୍ତ୍ରକୁ ପଢିବେ ଗୀତା ଭାଗବତ ପଢି ମୁକତ ହୋଇବେ।
ଆଲମାରୀରେ ଏହାକୁ ରଖିଦେବ ନାହିଁ ନିତ୍ୟ ପଢି କର୍ମେ ଲଗାଇଲେ ଫଳ ପାଇ।
ଓଁ ତତ୍ ସତ୍
ଜୟ ଶ୍ରୀ ଜଗନ୍ନାଥ
ପରମ ପିତାଙ୍କୁ ମୋର ଭୂମିଷ୍ଠ ପ୍ରଣାମ ଆଦ୍ୟାଶକ୍ତି ଯୋଗମାୟା ଶ୍ରୀପଦେ ଶରଣ।
ଶ୍ରୀଗୁରୁ ଚରଣେ ମୋର ନିବେଦନ ଏହି ଅଜ୍ଞାନ ହରିବେ ମୋର ଦିବ୍ୟଜ୍ଞାନ ଦେଇ।
କେତେ ଅପରାଧେ ପ୍ରଭୁ ମର୍ତ୍ତ୍ୟକୁ ଆସିଲି ଅଜ୍ଞାନ ଅନ୍ଧକାରରେ ଦିନ କଟାଇଲି।
ପ୍ରତି କର୍ମେ ବିଘ୍ନ ଘଟି ଆଘାତ ପାଇଲି ତାହାର କାରଣ ଜାଣିବାରେ ମନ ଦେଲି।
ବେଦ, ବେଦାନ୍ତ, ପୁରାଣ ପଢିଲି ଅନେକ ଗୀତା, ଭାଗବତ ନାନା ସାଧନ ପୁସ୍ତକ।
ସମସ୍ତ ଶାସ୍ତ୍ରର ସାର ତତ୍ତ୍ୱ ଏକ ଜାଣ ସାଧକ କର୍ମ ରେ ବିଘ୍ନ ଘଟାଏ ଅଜ୍ଞାନ।
ଶାସ୍ତ୍ର ବିଧି ତେଜି ମନ ଇଚ୍ଛା କଲେ କର୍ମ କାର୍ଯ୍ୟ ସିଦ୍ଧି ହୁଏନାହିଁ ମିଳଇ କଷଣ ।
କେତେ ସଦ୍ ଉପଦେଶ ପାଇଲି ଶାସ୍ତ୍ରରୁ ବିନାଭ୍ୟାସେ ଚାଲିଯିବ ମୋହର ମନରୁ।
ତେଣୁକରି ମନେ ମୋର କରିଲି ବିଚାର ଅମୂଲ୍ୟ ମଣିକୁ ନେଇ ଗୁନ୍ଥିବି ମୁଁ ହାର।
ଉପଦେଶ ଗୁଡିକର ମୁଲ୍ୟ ନାହିଁ ବାବୁ କଣ୍ଠେ ସଦା ଧରିଥିଲେ ବିପଦୁ ତରିବୁ।
ଉପଦେଶ ରୂପୀ ରତ୍ନହାର ଥିଲେ ଗଳେ କେବେ ନ ବୁଡିବୁ ତୁହି ଭବ ସିନ୍ଧୁ ଜଳେ।
ଅତି ଯତ୍ନରେ ଗୁନ୍ଥିଛି ଏହି ରତ୍ନହାର ଗଳାରେ ପିନ୍ଧିଲେ ବୁଝିବତ ଶକ୍ତି ତାର।
ବଜାରେ ବଣିକ ନାନା ଦ୍ରବ୍ୟ ରଖିଛନ୍ତି ଉତ୍ତମ ଗ୍ରାହକ ତାହା ବାଛିଣ କିଣନ୍ତି।
ଦ୍ରବ୍ୟ ଗୁଣ ଜାଣିଥିଲେ ଗ୍ରାହକ ବାଛିବ ବେପାରି ତାହାକୁ କେବେ ଭଣ୍ଡି ନ ପାରିବ।
ସଂସାରରେ ସେହିପରି ଚାଲିଛି ବେପାର ଜ୍ଞାନ ନେତ୍ରେ ଦ୍ରବ୍ୟ ଚିହ୍ନି କର କାରବାର।
ଗ୍ରାହକ ହୋଇଣ ତୁହି ବେପାରି ଚିହ୍ନିବୁ ଉତ୍ତମ ବେପାରି ସଙ୍ଗେ ବାଣିଜ୍ୟ କରିବୁ।
ତୁହି କେବେ ଠକାମିରେ ପଡ଼ିବୁନି ବାବୁ ଅହଙ୍କାରେ ନଶୁଣିଲେ ହୋଇଯିବୁ କାବୁ।
ସଉଦା କରିବା ପୂର୍ବୁ ମନରେ ବିଚାର ପରମାତ୍ମାଙ୍କୁ ଭକ୍ତିରେ କର ନମସ୍କାର ।
୧-ସର୍ବଦା ସତ୍ୟ ଓ ପ୍ରିୟ ବାଣୀକୁ କହିବ କଠିନ ଅହିତ କଥା କେବେ ନବୋଲିବ।
ଆତ୍ମଜ୍ଞାନ ଥିବା ଶାସ୍ତ୍ର ନିତ୍ୟ ଅଭ୍ୟାସିବ ଜିହ୍ୱାଗ୍ରରେ ମଧୁରତା ବଚନ ଭାଷିବ।
ଜିହ୍ୱାମୂଳେ ମଧୁମୟ ଝରଣା ବହିବ ଏତେ କର୍ମେ ବଚନ ତୋହର ସିଦ୍ଧ ହେବ।
୨-କ୍ରୋଧ ତ୍ୟାଗ କରି କର ସୁମିଷ୍ଟ ଭାଷଣ ବିବ୍ରତ ନ ହେବୁ ଧରିଥିଲେ ସତ୍ୟ ଗୁଣ।
୩-ସଦ ଗ୍ରନ୍ଥ ସର୍ବଦା ତୁହି ପାଠ କରୁଥାଅ ସତ୍ ସଙ୍ଗ କରିବା ତୁ ଭୁଲିଣ ନ ଯାଅ।
୪-ପର ଦ୍ରବ୍ୟ ନେବାପାଇଁ ଇଚ୍ଛା ନ କରିବ ଇଚିତ ମୂଲ୍ୟ ଦେଇଣ ଦ୍ରବ୍ୟକୁ କିଣିବ।
ତୋର ଧନ ଯାହା ନୁହେଁ ତାହା ପାପ ଧନ ସେ ଧନେ ଚଳିଲେ ତୋର ନର୍କକୁ ଗମନ।
ଅସମୟେ ବାଲ୍ୟକାଳେ ପିତୃ ଧନେ ଚଳ ଯୌବନେ ଜ୍ଞାନ ଉଦୟେ ଆସେ ନିଜ ବଳ।
ନିଜ ବୁଦ୍ଧି ବଳେ କର ଧନ ଉପାର୍ଜନ ସେହି ଧନେ ଚଳ ତୁମେ ଯାବତ ମରଣ।
ପୁତ୍ର କିମ୍ବା ଅନ୍ୟ କାହାଠାରେ ଭାର ନୁହଁ ଭାର ହେଲେ ଆତ୍ମା ଶାନ୍ତି ହୋଇବ ଦୁରୁହ।
ଅଧିକ ଧନ ଅର୍ଜନେ ନାହିଁ କିଛି ପାପ ସତକର୍ମେ ତାହା ଖର୍ଚ୍ଚ କରୁଥିବ ବାପ।
ତାର ଫଳେ ଧର୍ମ ଧନ ତୋର ବଢିଯିବ ଧର୍ମ ବଳେ ତୋ ଜୀବନେ ସଙ୍କଟ ନ ହେବ।
ଧନ ଅପବ୍ୟୟେ ନିଶ୍ଚେ ପ୍ରମାଦ ପଡ଼ିବ ଇହ ପରକାଳ ତୋର ଦୁଃଖରେ ସଢିବ।
୫ –ଅସତ୍ ଧନ ସମ୍ପତ୍ତି ଭଗବତ ମାର୍ଗେ କଣ୍ଟକ ହୁଅଇ ତେଣୁ ତ୍ୟାଗ କର ବେଗେ।
୬-ଶରୀର ଧାରଣ ପାଇଁ ସାତ୍ତ୍ୱିକ ଆହାର ଯେବେଳେ ଯାହା ମିଳିବ ତା ଗ୍ରହଣ କର।
ଯେପରି ଅନ୍ନ ଭୁଞ୍ଜିବୁ ସେହିପରି ମନ ସେପରି ବୁଦ୍ଧି ହୋଇବ ତେଣୁ ସାବଧାନ।
ସତକର୍ମେ ଯାହା ତୁହି ଅର୍ଜନ କରିବୁ ସେ ଧନରେ ଚଳିଲେ ତୁ ବୈକୁଣ୍ଠ ପାଇବୁ।
୭-ସର୍ବଦା ସାତ୍ତ୍ୱିକ ଖାଦ୍ୟ ଚିତ୍ତର ନିର୍ମଳ ହୁଏ ଯେଣୁ ସେ ନିୟମ ତୁମେ ନିତ୍ୟେ ପାଳ।
୮-ଇନ୍ଦ୍ରିୟ ଲାଳସା ପୁର୍ଣ୍ଣକର ଯେ ପର୍ଯ୍ୟନ୍ତ ଜନ୍ମ ମୃତ୍ୟୁ ଲୀଳାର ଯେ ନ ହୋଇବ ଅନ୍ତ ।
୯-ଦେବତା ଓ ଅତିଥୀଙ୍କୁ ଯଥା ଶକ୍ତି ତୋର ଅପମାନ ନ କରିଣ କର ତୁ ସତ୍କାର।
୧ ୦-ପର ସ୍ତ୍ରୀ ସହିତ ନିଜେ ନିର୍ଜନ ନିବାସ ନିଜ ସ୍ତ୍ରୀ ସହିତ ପର ନକରିବ ବାସ।
୧ ୧ –ସର୍ବ ଗୁଣେ ପରିପୂର୍ଣ୍ଣ ହେଲେ କିବା ହେବ ଚରିତ୍ର ଦୋଷରେ ଯଶ କୀର୍ତ୍ତି ଡ଼ୁବି ଯିବ।
୧ ୨-କାର୍ଯ୍ୟ ବିନା ଅନ୍ୟ ନିଜ ଗୃହରେ ପ୍ରବେଶ ବିନା କାର୍ଯ୍ୟେ ନ ଗମିବ ଅନ୍ୟର ଆବାସ।
୧ ୩ –ସ୍ୱାମୀ ଆଦେଶ ପାଳିଲେ ଭାଗ୍ୟ ବଦଳିବ ସେହି ଖୁସି ହେଲେ କେଉଁ ଦ୍ରବ୍ୟ ଅପରୂବ।
୧ ୪-ପର ସ୍ତ୍ରୀ ସହିତ କଥାବାର୍ତ୍ତା ଏକାନ୍ତରେ କରନାହିଁ କେବେହେଲେ ରଖିଥା ମନରେ।
୧ ୫-ପର ସ୍ତ୍ରୀ, ପର ଧନରୁ ଯେ ମୁକ୍ତ ଅଟନ୍ତି ସଦାକାଳେ ସେହିମାନେ ସଦ୍ଗତି ଲଭନ୍ତି।
୧ ୬-ପତି ପତ୍ନୀଙ୍କ ମଧ୍ୟରେ ସ୍ନେହ ଶ୍ରଦ୍ଧା ଥିବ ଶାନ୍ତି ଦେବୀ ସେହିଠାରେ ବିରାଜ ହୋଇବ।
୧ ୭ –ଶୁଦ୍ଧ ବୀର୍ଯ୍ୟ,ଶୁଦ୍ଧି ସ୍ଥାନରେ ପ୍ରଦାନ କର ସୁ-ସନ୍ତାନଟିଏ ଲାଭ ହୋଇବ ତୁମର।
୧ ୮ –ଧନ,ସ୍ତ୍ରୀ,ଭୋଜନ,ପରବାର ଯଶଃ ମାନ ପାଇବାର ସ୍ପୃହା ତୁମେ କର ବିସର୍ଜନ।
୧୯-ସକଳ ଘଟରେ ଯେବେ ହରିଙ୍କୁ ଦେଖିବ ପର ସ୍ତ୍ରୀ, ପର ଧନରେ ଲୋଭ ନ କରିବ।
୨ ୦ –ନକ୍ଷତ୍ର ମଧ୍ୟରେ ଚନ୍ଦ୍ର ଶୋଭା ପାଉଥାଏ ପତି ସଙ୍ଗେ ପତ୍ନି ଦିନ ଆନନ୍ଦେ କଟାଏ।
୨ ୧ –ଯା ନାରୀ ରେ ପୁରୁଷେ ନେଉଥାଏ ଦିନ ଅବଜ୍ଞାକାରୀ ପୁତ୍ରରେ ଦୁଃଖେ ଯାଏ ଦିନ।
୨ ୨ –ଶୋକ,ମୋହ,ଚିନ୍ତା,ଭୟ ମନୁ ଉଦ୍ ବେଗ , କ୍ରୋଧ, ହିଂସା, କପଟତା ଯେତେ ଅନୁରାଗ।
୨ ୩ –ତ୍ୟାଗ କଲେ ଅତି ଶୀଘ୍ର ଶାନ୍ତିକୁ ପାଇବ, ଶାନ୍ତି ପ୍ରଭାବରେ ଲକ୍ଷ୍ମୀ କୋଳରେ ବସିବୁ।
୨ ୪ – ପଡ଼ୋଶୀ,ପାଣି ,ପବନ,ଆବର ପ୍ରକାଶ ଥିବା ସ୍ଥାନେ ବାବୁ ତୁରେ କରିବୁଟି ବାସ।
୨ ୫-ସକଳ ପ୍ରାଣୀ ଅନ୍ତରେ ବସେ ନାରାୟଣ ପ୍ରାଣୀର ଅନିଷ୍ଟ ଚିନ୍ତା ନ କରିବୁ ଜାଣ।
୨ ୬ –ଯେତେ ପାରୁ ସେତେ ତୁହି ପୂଣ୍ୟ କର୍ମ କର କଦାପି ଜୀବନେ ପାପ କର୍ମ ତୁ ନକର।
୨ ୭ –ସମ୍ଭବ ହେଲେ ତୁ ଗ୍ରହୀତାରେ ଦାନ କର ଦାନ ପାଇବା ପାଇଁକି ହସ୍ତ ନ ପ୍ରସାର।
୨ ୮ –ଅନ୍ୟ ଦୁଃଖ ଦେଖି କେବେ ସୁଖୀ ହୁଅନାହିଁ ଚକ୍ରବତ ତୁମ ଦୁଃଖ ଆସିବରେ ଭାଇ।
୨ ୯-ଅନ୍ୟ ପ୍ରତି ଯେଉଁପରି କର ବ୍ୟବହାର ସେହିପରି ବ୍ୟବହାର ପାଇବ ପ୍ରଚୁର।
୩ ୦-କୁ-ବାସନା,କୁ-ଚିନ୍ତା,ଆଳସ୍ୟ,ଅହଙ୍କାର ଯେତେ ଶୀଘ୍ର ପାର ତାକୁ ତୁମେ ତ୍ୟାଗ କର।
୩୧-ସବୁଠାରୁ ବଳବାନ ପ୍ରଭୁ ଭଗବାନ ତାଙ୍କ ନିକଟରେ ଯାଇ ପଶ ଯା ଶରଣ।
୩ ୨-ପତନ କାରଣ ଅଟେ ବିଳାସ ବ୍ୟସନ ତାକୁ ତ୍ୟାଗ କରି କର ଜୀବନ ଯାପନ।
୩ ୩ –ତୁମେ ଦୁଃଖୀ ହେଉଅଛ, ତା କାରଣ ଶୁଣ ନିର୍ଦ୍ଧୟ ନିଷ୍ଠୁର ଭାବ ବହିଛ ଆପଣ।
୩ ୪-ଦୁଃଖୀ ଦୁଃଖ ଦୂର କରିବାରେ ମନ ଦିଅ ଦେଖିବ ଆପଣା ଦୁଃଖ ପଳାଇଣ ଯାୟ।
୩୫-ଭଗବାନଙ୍କୁ ଯଦ୍ୟପି ମନରୁ ଭୁଲିବ ଅଶାନ୍ତି ଆସିଣ ତୁମ ହୃଦେ ବିରାଜିବ।
୩ ୬-ପିତା,ମାତା ତୁମ ପାଶେ ଲକ୍ଷ୍ମୀ,ନାରାୟଣ ପ୍ରାୟେ ଉଭା ହୋଇଛନ୍ତି ନ ଭୁଲିବ ଜାଣ।
ପିତା ମାତା ସନ୍ତୋଷରେ ପୁତ୍ର ହୁଏ ସୁଖୀ ତାଙ୍କ ସେବାକାଳେ ଅନ୍ୟ ସେବା କୁ ଉପେକ୍ଷି।
ଏ ବିଷୟେ ଏକ କିମ୍ବଦନ୍ତୀ ମୁଁ ଲେଖୁଛି ଆମ ଏ ଭାରତେ ତାର ନମୁନା ରହିଛି।
ପିତୃ ଭକ୍ତି ପରାୟଣ ଏକ ଭକ୍ତ ଥିଲା ଦେବତା ନ ପୂଜି ପିତୃ ସେବାରେ ମଜ୍ଜିଲା।
ତାର ନିଷ୍ଠା ବିଡିବାକୁ ପ୍ରଭୁ ଭଗବାନ ଆପେ ବିଜେ ହୋଇଗଲେ ତାହାର ସଦନ।
ପିତୃ ସେବା କାର୍ଯ୍ୟେ ଲାଗିଥିଲା ବିପ୍ରବର ଦ୍ୱାରେ ଡ଼ାକି ଦେଲେ ଆସି ପ୍ରଭୁ ଦାମୋଦର।
ବିଶେଷ କାର୍ଯ୍ୟରେ ମୁହଁ ଆସିଅଛି ଧାଇଁ ତୁମ୍ଭ ସଙ୍ଗେ କଥା ଟିକେ ହୋଇବାର ପାଇଁ ।
କିଏ ତୁମ୍ଭେ ବୋଲି ବିପ୍ର ପଚାରେ ସଦନୁ ନାରାୟଣ ଆସିଅଛି ବୈକୁଣ୍ଠ ଭୁବନୁ।
ତତ୍କ୍ଷଣେ ବିପ୍ର ଏକ ଇଟା ଥୋଇଦେଲା ବସନ୍ତୁ ହେ ଜଗନ୍ନାଥ ବିନମ୍ରେ କହିଲା।
ଆସୁଛି ପିତାଙ୍କ କାର୍ଯ୍ୟ କରି ଅତିଶୀଘ୍ର ବସନ୍ତୁ ଅଳପକ୍ଷଣ ନ ହୋଇଣ ଏତେ ବ୍ୟଗ୍ର।
ଏହା କହି ଚାଲିଗଲା ପିତାଙ୍କ କାର୍ଯ୍ୟରେ ଭଗବାନ ବିଚାରିଲେ ବସି ସେହିଠାରେ।
ଉତ୍ତମ ଭକ୍ତକୁ ଦେଖି ମୁହିଁ ଧନ୍ୟ ହେଲି କଦାପି ଏଠାରୁ ମୁହିଁ ନ ଯିବଇଁ ଚାଲି।
ଏତେ ଭାବି ପ୍ରଭୁ ହେଲେ ପାଷାଣ ମୂରତି ଇଟାପରେ ଶୋଭା ପାଉଅଛି ତାଙ୍କ ମୂର୍ତ୍ତି।
ଏହି ମୂର୍ତ୍ତିଙ୍କ ପାଇଁକି ମନ୍ଦିର ନିର୍ମାଣ କରିଦେଇ ଭକ୍ତଗଣ ହୋଇଛନ୍ତି ଧନ୍ୟ।
ଏବେ ଯେଉଁ ଭକ୍ତମାନେ ତୀର୍ଥ କରିଯାନ୍ତି ଇଟାପରେ ବସିଥିବା ପ୍ରଭୁଙ୍କୁ ଦେଖନ୍ତି।
ପିତା ମାତା ସେବାଠାରୁ ବଳି ଅଉ ସେବା ଖୋଜିଲେ ମିଳିବ ନାହିଁ କହୁଛିରେ ବାବା।
କୌଣସି ପ୍ରକାରେ ପିତା ମାତାଙ୍କ ମନରେ ଦୁଃଖ ଦିଅନାହିଁ ବୋଲି ରହିଛି ଶାସ୍ତ୍ରରେ।
୩ ୭-ଅନ୍ୟ ଅଭିଶାପମାନ ପ୍ରାଶ୍ଚିତେ କଟିବ ପିତା, ମାତା ଅଭିଶାପୁ କେହି ନ ରଖିବେ।
୩ ୮-କପଟି ଲୋକ ସହିତ ବାସ ନ କରିବେ ଏହା ନ ମାନିଲେ ପରାଭବଟି ପାଇବେ।
୩ ୯-ତୁମ କର୍ମ ଫଳ ତୁମେ ଭୋଗିବ ନିଶ୍ଚୟ ତେଣୁ ସତ କର୍ମେ ସଦା ରଖିଥିବ ଲୟ।
୪ ୦-କର୍ମକୁ କରିବ ବାଛି କାଳିମା ନ ଥିବ ଦୁର୍ଗୁଣ ଥିଲେଟି ବାବୁ ସବୁ ନଷ୍ଟ ହେବ।
୪ ୧-ଯେ କର୍ମ କରିଲେ ଆତ୍ମା ସନ୍ତୋଷ ଲଭିବ ସେହି କର୍ମମାନ ବାଛି ବାଛିଣ କରିବ।
୪ ୨-ପରନିନ୍ଦା ମୁଖେ କେବେ ଉଚ୍ଚାରିବ ନାହିଁ କାନେ ପଡିଲେ ସେଠାରୁ ପଳାଇ ଯିବଇଁ।
୪ ୩ –ତୁମ ଭବିଷ୍ୟତ ଜନ୍ମ ପତ୍ରିକାରେ ଅଛି ତତ୍କର୍ମମାନ କରୁଥାଅ ବାଛି ବାଛି।
୪ ୪ –ନିଜ ଉପାର୍ଜନେ ନିଜେ ଚଳିବାକୁ ଶିଖ ପରାଙ୍ଗପୁଷ୍ଟ ହୋଇଲେ ପାଇବୁ ତୁ ଦୁଃଖ।
୪ ୫ –ଗୁରୁଜନ ହିତକଥା ଛାଡି ସଙ୍ଗ ଦୁଷ୍ଟ କଲେ ସର୍ବଦା ତୋହର ହୋଇବ ଅନିଷ୍ଟ।
୪ ୬ –ସାଧନା ପଥେ ବିଭୂତି ଲାଭ ହେଲେ ଭାଇ ସେଥିରେ କଦାପି ତୁମେ ଭାସି ଯିବ ନାହିଁ।
୪ ୭ –ଜଳେ ସ୍ନାନ କଲେ ବାହ୍ୟ ମଳ ହୁଏ ଦୂର ସନ୍ଧ୍ୟା ଉପାସନା ଫଳେ ମନୁ ମଳ ଦୂର ।
୪ ୮ –ଅତି ବୃଦ୍ଧ,ସ୍ତ୍ରୀ, ବାଳକ ଏହି ମାନଙ୍କର ବିଚାର ନଥାଏ, ବୋଲେ ନ ପଡ ତାଙ୍କର।
୪ ୯-ପ୍ରସନ୍ନ ହୋଇଲେ ମନ ଦୁଃଖ ଘୁଞ୍ଚିଯାଏ ପ୍ରାକୃତିକ ଦୃଶ୍ୟେ ମନ ପ୍ରଫୁଲ୍ଲିତ ଥାଏ।
୫ ୦-ଧନ, ଧାନ୍ୟ,ବସ୍ତ୍ର,ଜଳ ,ବିଦ୍ୟା,ବୁଦ୍ଧି, ଦ୍ଦ୍ୟୋମ ସକଳ ପ୍ରକାର ଦାନ କର ଅନୁକ୍ଷଣ।
୫ ୧-ଇଷ୍ଟ ମନ୍ତ୍ର,ଇଷ୍ଟ ଦେବ କେବେ ନ ବଦଳା ବିଶ୍ୱାସରେ ସାହି କୁଳେ ଲଗାଇବେ ଭେଳା।
୫ ୨-ଅର୍ଥ ସଙ୍ଗରେ ଅନର୍ଥ,ଚିନ୍ତା,କ୍ଳେଶ,ମଞ୍ଜି ପ୍ରାପ୍ତେ ସତ କର୍ମେ ଲଗା ନ ହୋଇବ ଗଞ୍ଜି।
୫ ୩ –କାମନା ତରଙ୍ଗ ମନ ଘନ ଘନ ଜାତ ପୁରଣ ନ କଲେ ତାହା ହୋଇବ ସଂଯତ।
୫ ୪ –ଇଶ୍ୱରଙ୍କ ତୃପ୍ତି ପୀଇଁ କରୁଥାଅ କର୍ମ ଏହା କେବେ ନଭୁଲିବ ବଢୁ ତୁମ ଧର୍ମ।
୫ ୫-ଆତ୍ମୀୟ, ସ୍ୱଜନ ବନ୍ଧୁ ମାନଙ୍କୁ ଭର୍ତ୍ସନା ନ କରି ମିଷ୍ଟ ବଚନେ କରିବ ସାନ୍ତ୍ୱନା।
୫ ୬ –ସାଧନ ପଥୁ ନ ଟଳି ଉପାସନା କର ଇଶ୍ୱର ଦର୍ଶନ ନିଶ୍ଚେ ହୋଇବ ତୁମ୍ଭର।
୫ ୭-ସୁସ୍ଥ; ଶାନ୍ତ,ପ୍ରସନ୍ନ ରହିବା ପାଇଁ ଚିତ୍ତ ସର୍ବଦା ଅଭ୍ୟାସ କର ନ ହୋଇ ତୁ ଭୀତ ।
୫ ୮-ଆପଣାର ଆତ୍ମ ସୁଖ ପାଇବା ନିମିତ୍ତ ସବୁବେଳେ ଚେଷ୍ଟା କର ନହୋଇ ଚିନ୍ତିତ ।
୫ ୯-ଇଚ୍ଛା ବ୍ୟାକୁଳତା ତ୍ୟାଗ ନ କଲେରେ ବାବୁ ଚିର ଶାନ୍ତି ସୁଖ ପୁଣି କିପରି ପାଇବୁ।
୬ ୦-ଅପ୍ରସନ୍ନ ଚିତ୍ତ ହେଲେ ବୁଦ୍ଧି ଭ୍ରଂଶ ହୁଏ ବୁଦ୍ଧି ଭ୍ରଂଶ ହେଲେ ପ୍ରାଣ ବହୁ କଷ୍ଟ ପାଏ।
୬ ୧-କାମନା ବାସନା ତ୍ୟାଗ କରିଦେଲେ ବାବୁ ଚିତ୍ତ ନିର୍ମଳରେ ଶୁଦ୍ଧ ଜ୍ଞାନ ଜନ୍ମେ ସବୁ।
୬ ୨-ଯେତେ ତୋ ଦୁର୍ଗୁଣ ଅଛି ତ୍ୟାଗ କରିଦିଅ ସୁଗୁଣ ବୁଦ୍ଧି ରେ ତୋର ଚିତ୍ତ ହେବ ଥୟ।
୬ ୩-ଇଚ୍ଛା ତ୍ୟାଗ ହୋଇଗଲେ ପୁର୍ନଜନ୍ମ ନାହିଁ ସଂସାରର ଦୁଃଖ କଷ୍ଟୁ ତରିଯିବୁ ତୁହି।
୬ ୪ –ସଂସାର ସୁଖ ଦୁଃଖରୁ ଅଲଗା ହୋଇଣ ଇଶ୍ୱରଙ୍କ ମାୟା ଖେଳ ଦେଖୁ ତୋର ମନ।
୬ ୫-ଚିତ୍ତ ଅପ୍ରସନ୍ନ ଭଳି କାର୍ଯ୍ୟ କର ନାହିଁ ଆତ୍ମା ଶାନ୍ତି ଅର୍ଥେ କର୍ମ କରୁଥାଅ ତୁହି।
୬ ୬-ନିଷ୍କାମ ଭାବରେ ସତ୍ଵଗୁଣ ସେବା କଲେ ନିର୍ଗୁଣ ପ୍ରାପ୍ତି ତୁମ୍ଭଙ୍କୁ ମିଳିବଟି ଭଲେ ।
୬ ୭-ସାତ୍ତ୍ୱିକ ଭୋଜନେ ମନ ସଂଯମ ହୋଇଲେ ପରମାତ୍ମା ଚିନ୍ତା ତୁହି କରିପାରୁ ଭଲେ।
୬ ୮-ସମ୍ମାନ ବା ଅପମାନ ଯେବେ ଅବା ମିଳେ ଲକ୍ଷ ରଖିଥିବ ମନ ସାଧନୁ ନ ଟଳେ।
୬ ୯-ସିଦ୍ଧି ଲାଭ ବୋଲି ଯାହା ତାହା ମାୟା ଅଟେ ସେଥିରେ ନ ଭୁଲି ସାଧ ପଡି ଦୁଃଖେ କଷ୍ଟେ।
୭ ୦-ମାୟା ପଦାର୍ଥ ପ୍ରାପ୍ତିରେ ପ୍ରକୃତ ଆନନ୍ଦ ନ ଥାଏ ଯେଣୁ ତା ପ୍ରତି ନ ରଖିବ ସଧ।
୭ ୧-ବାରମ୍ବାର ନିଜ ଇଷ୍ଟ ଦେବ ଜପ କର ତେବେ ଯାଇ ନିଜ ହୃଦେ ଦେଖିବୁ ଇଶ୍ୱର।
୭ ୨-ଯେ ସଙ୍ଗ କରିଲେ ନିଜେ ବିପଦେ ପଡିବ ଜୀବନେ ସେପରି ସଙ୍ଗ କେବେ ନକରିବ।
୭ ୩-ଚିତ୍ତ ଯାହା ଚାହେ ତାହା ମିଳିବ ନିଶ୍ଚୟ ଭୋଗ ଛାଡି ଭଗବାନ ପାଇବାରେ ଲୟ।
୭ ୪ –କାମ, ଭ୍ରମ ଦୁଇ ବସ୍ତୁ ଚିତ୍ତକୁ ଭୁଲାଏ ଆତ୍ମାଶ୍ରୟୀ ହେଲେ ସୁଖ ଆତ୍ମାରୁଟି ପାଏ।
୭ ୫ –ଜ୍ଞାନ ଭକ୍ତି ଉଭୟ ଯୋଗରେ ମୁକ୍ତି ମିଳେ ଗୋଟିକୁ ସାଧନା କଲେ ଦୁଇ ଫଲ ଫଳେ।
୭ ୬-ଗୀତା ଶାସ୍ତ୍ର ଅନୁସାରେ ଯେ କର୍ମ କରଇ ସେହି ସାଧକକୁ ମୁକ୍ତି ନିଶ୍ଚୟ ମିଳଇ।
୭ ୭ –ଜାଗତିକ ଭୋଗ ପାଇଁ ଯେ ଯତ୍ନ କରଇ ଶାନ୍ତି ତାହାଠାରୁ ଶୀଘ୍ର ଯାଏ ଦୂର ହୋଇ।
୭ ୮-ମଦ୍ୟର କୁଫଳ ଜାଣି ମଦ୍ୟକୁ ନ ଛାଡେ ସଂସାର ଅନିତ୍ୟ ଜାଣି ସଂସାରରେ ଜଡେ।
୭ ୯-କଠିନ ତପସ୍ୟା ଛାଡି ଭକ୍ତିର ମାର୍ଗରେ ଶୀଘ୍ର ତୁହି ପହଞ୍ଚିବୁ ପ୍ରଭୁଙ୍କ ପାଶରେ।
୮ ୦-ସାମର୍ଥ୍ୟ ଯିବା ପୁର୍ବରୁ ଇଶ୍ୱରଙ୍କୁ ଖୋଜ ବୃଦ୍ଧକାଳେ ତାଙ୍କ ଠାରେ ନହୋଇବ ହେଜ।
୮ ୧-କର୍ମରୁ ଆସକ୍ତି ଛାଡି ଫଳ ତ୍ୟାଗ କରି କର୍ମ କରୁଥିଲେ ମୁକ୍ତି ହୋଇବ ତୋହରି।
୮ ୨ –ଧର୍ମ କର୍ମେ ଯେତେ ଧନ ପ୍ରାପତ ହୋଇବ ନିଜ ହସ୍ତେ ଦାନ କରି ସନ୍ତୋଷ ଲଭିବ।
୮ ୩ –ଧର୍ମ ବିଷୟରେ ନାନା ମାର୍ଗ ପଡିଅଛି ଚିତ୍ତ ଶୁଦ୍ଧି ଯେଉଁ ମାର୍ଗେ ତାହା ନିଅ ବାଛି।
୮ ୪-ପ୍ରାକୃତିକ ଦୃଶ୍ୟେ ଚିତ୍ତ ସ୍ଥିର ହୋଇଯାଏ ବସ୍ତୁ ଯେପରି ଦର୍ପଣେ ପ୍ରତିଭାତ ହୁଏ।
୮ ୫-ସଂସାରରେ ଯେତେ ଜୀବ ନେତ୍ରରେଦେଖୁଛ ଇଶ୍ୱରଙ୍କ ରୂପ ତାହା ନ ମଣିବ ମିଛ।
୮ ୬-ଶ୍ରେୟ ପ୍ରେୟ ଦୁଇ ମଧ୍ୟୁ ଶ୍ରେୟ ଅଟେ ଶ୍ରେଷ୍ଠ ପ୍ରେୟ ରାସ୍ତା ଛାଡି ଦୃଢେ ଧର ଶ୍ରେୟ ବାଟ।
୮ ୭-ପୂଜା ପାଇବାକୁ ଯେବେ ମନେ ବାଞ୍ଛା ହୁଏ ଜ୍ଞାନ ଭକ୍ତି ସେବା ଫଳେ ସେ ସମ୍ପଦ ପାଏ।
୮ ୮-ପିତା, ମାତା, ଶତ୍ରୁ, ଶିକ୍ଷା ନ ହେବାର ଫଳେଫ ପୁତ୍ର ଶୋଭା ପାଏ ନାହିଁ ଏ ମହୀ ମଣ୍ଡଳେ।
୮ ୯-ବଂଶକୁ ଉଜ୍ଜ୍ୱଳ କରେ ଏକ ଗୁଣୀ ପୁଅ ଏକମାତ୍ର ସୂର୍ଯ୍ୟ ଦିଏ ବିଶ୍ୱକୁ ଆଲୁଅ।
୯ ୦-ବାଲ୍ୟକାଳେ ବିଦ୍ୟାଦାନେ ନ କରିବ ହେଳା ବୟଃ ପ୍ରାପ୍ତ ହେଲେ ପୁତ୍ର, ମିତ୍ର ଭାବ ଚଳ।
୯ ୧ –ଗେଲବସର ନୀତିକୁ ଶୀଘ୍ର ପରିହର, ଆକ୍ଷି ଆଗେ ରଖି ପୁତ୍ର ବିଦ୍ୟା ଦାନ କର।
୯ ୨ –ସୁବାସିତ ପୁଷ୍ପ ଯେହ୍ନେ ବାସକୁ ବିତରେ ଗୁଣୀ ପୁତ୍ର କାର୍ଯ୍ୟ କୂଳ ଯଶ ଯେ ପ୍ରସରେ।
୯ ୩ –ନାଗସାପ ଠାରୁ ମଣି କରିବ ଗ୍ରହଣ ମଳ ମଧ୍ୟେ ଥିଲେ ଖୋଜି ଆଣିବ କାଞ୍ଚନ।
ଜାତି ଅଜାତି ନ ଖୋଜି ବିଦ୍ୟାଜର୍ନ କର ସଂମ୍ଭ୍ରାନ୍ତ ବଂଶରୁ ପତ୍ନୀ ଆଣିବ ସତ୍ଵର।
୯ ୪-ବିପଦ ସମୟେ ଯେବେ ବନ୍ଧୁ ସାହା ହୁଏ ପ୍ରକୃତ ବନ୍ଧୁ ବୋଲିଣ ଜାଣିବ ସଭିଏଁ।
୯ ୫-ସମ୍ମୁଖରେ ପ୍ରିୟ କଥା ପୃଷ୍ଠେ କାର୍ଯ୍ୟ ନାଶ କରୁଥିବା ମିତ୍ର ପାଶୁ ଶୀଘ୍ର ବାବୁ ଖସ।
୯ ୬ –ଥରେ ମିତ୍ର ଦ୍ରୋହ କଲେ ତାଠାରେ ମିତ୍ରତା କଲେ ନାଶ ହେବ ତୁମେ ମନରେ ରଖିଥା।
୯ ୭ –ଅବିଶ୍ୱାସୀ ନରେ କେବେ ବିଶ୍ୱାସ ନକର ସ୍ୱାର୍ଥହାନୀ ହେଲେ ପ୍ରକଟିବ ସେ ଗୁମର।
୯ ୮ –କର୍ମେ ଭୃତ୍ୟକୁ ଚିହ୍ନିବ ଦୁଃଖରେ ବନ୍ଧୁଙ୍କୁ ବିପଦେ ମିତ୍ର ଚିହ୍ନିବ ଧନ କ୍ଷୟେ ସ୍ତ୍ରୀକୁ।
୯ ୯-ଶତ୍ରୁ ମିତ୍ର ହୋଇ କେହି ଜାତ ହୋଇ ନାହିଁ ସ୍ୱାର୍ଥ ହାନୀ କର୍ମ ଦ୍ୱାରା ଶତ୍ରୁତା ବଢଇ।
୧ ୦ ୦-ଦୁଷ୍ଟର ମୁଖେ ମଧୁର ହୃଦେ ବଳା ହଳ ତାର ସଂଙ୍ଗେ କେତେ ବେଳେ ହେବ ନାହିଁ ମେଳ।
୧ ୦ ୧-ଖଳ ଲୋକ ପାଶେଥିଲେ ବିଦ୍ୟା ଯେ ଅପାର ଲୋଡାନାହିଁ ସେହି ବିଦ୍ୟା ତାକୁ ତ୍ୟାଗ କର।
୧ ୦ ୨ –ସର୍ପଠାରୁ ଅତି କ୍ରୁର ଅଟେ ଖଳ ପ୍ରାଣୀ ମନ୍ତ୍ର ବଳେ ସର୍ପ ବଶ,ଖଳେ ନୁହଁ ଜିଣି।
୧ ୦ ୩-ନଖ, ଶୃଙ୍ଗ ଥିବାପ୍ରାଣୀ,ନଦୀ ଶସ୍ତ୍ର ଧାରୀ ରାଜନୀତି ଲୋକଙ୍କୁତ ବିଶ୍ୱାସ ନ କରି।
୧ ୦ ୪-ଯାନବାହାନ ରାସ୍ତାରେ ଯେବେ ଯାଉଥିବ ଶବ୍ଦ ଶୁଣିବା ମାତ୍ରକେ ଆଡ ହୋଇଯିବ।
୧ ୦ ୫ –ନୂତନ ପେଷାକୁ ସ୍ଥିର ନ କରିଣ ନର ନିଜ ପେଷା ଛାଡି ଦୁଃଖ ଭୋଗଇ ଅପାର।
୧ ୦ ୬-ଲୋଭୀକୁ ଧନରେ ବଶ କ୍ରୋଧୀକୁ କାର୍ପଣ୍ୟେ ଛନ୍ଦ ବାକ୍ୟେ ବଶ ମୁର୍ଖ ଜ୍ଞାନୀ ସତ୍ୟ ଭଣେ।
୧ ୦ ୭-ଧନ ହାନୀ,ମନ ଦୁଃଖ ଗୃହ ଛିଦ୍ର କଥା ଠକିଯିବା, ଅପମାନ ନ କହିବା କଥା।
୧ ୦ ୮-ବାଣିଜ୍ୟେ ,ବିଦ୍ୟା ପଠନେ,ପୁଣି ବ୍ୟବହାରେ ଭୋଜନେ ଲଜ୍ଜା ଛାଡିବ ରଖିଥା ମନରେ।
୧ ୦ ୯-ଶିକ୍ଷା, ସ୍ୱାସ୍ଥ୍ୟ,ବାଣିଜ୍ୟ ର ସୁବିଧା ଯେ ସ୍ଥାନେ ନ ଥିଲେ ସେଠାରେ ବସ ନ କରିବ ଜନେ।
୧ ୧ ୦-ମନର ବାସନା କାର୍ଯ୍ୟେ ଜଣାଯାଏ ଭାଇ କାର୍ଯ୍ୟ ନ କରି କହିଲେ କିଛି ଲାଭ ନାହିଁ।
୧ ୧ ୧-‘କୁ’ କୁ ଛାଡିଣ ତୁହି ‘ସୁ’ ସଙ୍ଗେ ସଙ୍ଗ କର ତେବେ ଏହି ସଂସାରରୁ ପାଇବୁ ନିସ୍ତାର।
୧ ୧ ୨-ଚିନ୍ତାଜ୍ୱର ମାନବର,ବସ୍ତ୍ରର ଆତପ ନାରୀର ବିଧବା,ଅଶ୍ୱର ବନ୍ଧନ ତାପ।
୧ ୧୩-ପୁଅ,ଭାର୍ଯ୍ୟା, ସେବାକାରୀ ଯା ବଶ ହୁଅନ୍ତି ଅଭାବରେ ଥିଲେ ମଧ୍ୟ ସେ ସୁଖ ପାଆନ୍ତି।
୧ ୧୪-ଭାର୍ଯ୍ୟା ଦୁଷ୍ଟ,ମିତ୍ର ଠକ,ଅମାନିଆ ଭୃତ୍ୟ ଗୃହେ ସର୍ପ ବାସ କଲେ ମୃତ୍ୟୁ ଯେ ନିଶ୍ଚିତ।
୧ ୧୫- ଋଣ କର୍ତ୍ତା ପିତା,ବ୍ୟଭିଚାରୀ ମାତା ଶତ୍ରୁ ରୁପବତୀ ଭାର୍ଯ୍ୟା,ମୁର୍ଖ ପୁତ୍ରକୁ ଗଣନ୍ତୁ।
୧ ୧ ୬-ଗୁଣ ବିନା ରୁପରେ କେ ସୁନ୍ଦର ନୋହିବ ଗୁଣ ଥିଲେ ଅସୁନ୍ଦର ସୁନ୍ଦର ହୋଇବ।
୧ ୧୭-ଅଜ୍ଞାନୁ ଅଦାତା,ଅକର୍ମରୁ ଦରିଦ୍ରତା ମାତୃ ଦୋଷୁ ଉନ୍ମାଦ,ପିତୃ ଦୋଷୁ ମୂର୍ଖତା।
୧୧୮-ଅତି ହେଲେ ଇତି ହୁଏ ଶାସ୍ତ୍ର କହୁଥାଇ ବ୍ରହ୍ମେ ଅତି ଭକ୍ତି କଲେ ବଇକୁଣ୍ଠ ପାଇ। ୧୧୯-ବସ୍ତ୍ର ହୀନେ ଅଳଙ୍କାର,ଘୃତ ହୀନ ଖାଦ୍ୟ ପୁତ୍ର, ହୀନ ,ବିଦ୍ୟା ହୀନ ଜନେ ନାହିଁ କାର୍ଯ୍ୟ।
୧ ୨୦-ରୁଚିକର ଭାର୍ଯ୍ୟା ପୁତ୍ର,ବନ୍ଧୁ ପରିଜନ ଏ ସବୁ ଦୁର୍ଲଭ ଅଟେ ମହାତ୍ମା ବଚନ।
୧ ୨ ୧-ମଣି ,ମୁକ୍ତା,,ସାଧୁଜନ,ସୁବାସ ଚନ୍ଦନ ପ୍ରତି ନଗ,ନାଗେ,ନଗ୍ରେ ନ ମିଳଇ ବନ।
୧ ୨ ୨-ଉଚ୍ଚ କୂଳରେ ସଂପର୍କ,ଜ୍ଞାନୀରେ ମିତ୍ରତା ଜ୍ଞାତି ସହ ଭାବଥିଲେ ନହୁଏ ଶତ୍ରୁତା।
୧ ୨୩-ପରାଧୀନ,ନିରାଶ୍ରୟ,ଧନ ହୀନ ଅତି ଗରିବ ପ୍ରାଣୀ ଦିନକୁ ଦୁଃଖରେ ହରନ୍ତି।
୧ ୨୪-ନିଶ୍ଚିତ କର୍ମକୁ ଛାଡି ଅନିଶ୍ଚିତ କାର୍ଯ୍ୟେ ମାତିଲେ ଉଭୟ କାର୍ଯ୍ୟ ଲୟକୁ ସେ ଭଜେ।
୧ ୨୫-ସମର୍ଥକୁ କର୍ମ ଭାର,ବେପାରୀକୁ ଦୂର ବିଦ୍ୟାକୁ ବିଦେଶ ଭୟ ନ ଥାଏ କାହାର।
୧ ୨ ୬-ଇନ୍ଦ୍ରିୟଙ୍କୁ ବଶ କଲେ ସର୍ବ ସିଦ୍ଧ ହୁଏ ଇନ୍ଦ୍ରିୟର ବଶ ହେଲେ ନାନା ଦୁଃଖ ପାଏ।
୧ ୨୭-ବିଦ୍ୟା ସମ ବନ୍ଧୁ ନାହିଁ ରୋଗ ସମ ଶତ୍ରୁ ସନ୍ତାନ ମମତା ଅତି,ଦୈବ ବଳ ସେତୁ।
୧ ୨୮ -ପ୍ରକୃତି ଅଟଇ ଅଗ୍ନି ପୁରୁଷଟି ଘୃତ ସଂଯୋଗ କରନ୍ତି ନାହିଁ ଯେ ହୁଏ ପଣ୍ଡିତ।
୧ ୨୯ -ଆୟକୁ ନ ଚାହିଁ ଯେହୁ ବ୍ୟୟକୁ ବଢାଇ ସଂସାରରେ ତାଙ୍କ ସମ ଦୁଃଖି କେହି ନାହିଁ ।
୧୩୦-ମନ୍ତ୍ରୀଗଣେ ପ୍ରଜ୍ଞାବାଦୀ ହୋଇଥିଲେ ଭାଇ ଦେଶର ସମସ୍ତ ଶୁଭ ଅଚିରେ ହୁଅଇ।
୧୩ ୧-ରାଜକାର୍ଯ୍ୟ ନଜାଣିଣ ରାଜ୍ୟ ଭାର ନେଲେ ଅଚିରେ ଦେଶକୁ ନେବେ ସେହି ରସାତଳେ।।
୧୩୨-ଅବିଜ୍ଞ ହୋଇବେ ଯେବେ ରାଜ କର୍ମଚାରୀ ଯୋଜନା ସବୁ ସଫଳ ହୋଇବ କିପରି?
୧୩୩-ଶାରୀରିକ କର୍ମ କଲେ ଦେହ ସୁସ୍ଥ ରହେ ଭାର୍ଯ୍ୟା ପୁତ୍ର ପ୍ରିୟହେଲେ ସୁଖେ ଦିନ ଯାଏ।
୧୩ ୪-ଉପାର୍ଜନ ବେଳେ କର୍ମେ ହେଳା ନ କରିବ ପୁଣ୍ୟବେଳ ତୋର ସବୁବେଳେ ନ ରହିବ।
୧୩ ୫-ହେଳା କଲେ ଭେଳାବୁଡେ ଏ ଶାସ୍ତ୍ର ବଚନ ଅର୍ଥ ନ ଥିଲେରେ ବାବୁ ବୁଦ୍ଧି ହୁଏ ହୀନ।
ମାଗି ଖାଇଲେ ତୋହର ଯଶଃ କିର୍ତ୍ତୀ ଗଲା ନୀଳ କାର୍ଯ୍ୟେ ମାତିଲେ ତୋ କୁଳ ଡୁବିଗଲା।
୧୩ ୬-ଆଶ୍ରା ଯେବେ ଖୋଜୁ ବିଜ୍ଞ ଜନେ ଆଶ୍ରା କର ସେ ଆଶ୍ରିତେ ମନବାଞ୍ଛା ପୂରିବ ତୋହର।
୧୩୭-ବାଳକାଳେ ବିଦ୍ୟା ଶିକ୍ଷା ଯୌବନେରେ ଧନ କର୍ମବେଳେ ପୁଣ୍ୟ କଲେ ସୁଖେ କଟେ ଦିନ।
୧୩୮-ଅଭ୍ୟାସ ନ କଲେ ବିଦ୍ୟା,ଅଜୀର୍ଣ୍ଣେ ଭୋଜନ ବୃଦ୍ଧର ତରୁଣୀ ଭାର୍ଯ୍ୟା ବିଷ ତୁଲେ ଘେନ।
୧୩ ୯-ପାପାତ୍ମାର ମନ,ବାକ୍ୟ,କର୍ମ ଭିନ୍ନ ହୁଏ ମହାତ୍ମାଙ୍କ ମନ,ବାକ୍ୟ, କାର୍ଯ୍ୟ ଏକ ହୁଏ।
୧ ୪୦-ଏକାଧାରେ ଗୁଣ,ଶୀଳ, କୁଳୀନ ଧାର୍ମିକ ଆଳସ୍ୟ ବିହୀନ ଲୋକ ଅଟେ ଧର୍ମାଧ୍ୟକ୍ଷ।
୧ ୪ ୧-ସର୍ବଶାସ୍ତ୍ରେ ବିଷାରଦ ଲେଖେ ବିଚକ୍ଷଣ ଉଚ୍ଚାରଣେ ,ଅର୍ଥବୋଧ ଲେଖକ ଉତ୍ତମ।
୧ ୪୨-ସର୍ବସାଧାରଣ ଲୋକେ ବୁଝିବେ ଯେ ବାକ୍ୟ ସେପରି ଲେଖା ଲେଖନ୍ତି ଉତ୍ତମ ଲେଖକ।
୧ ୪୩-ଅଧର୍ମେ ଧନ ଅର୍ଜନେ ମତି ନ ବଳାଅ ସତ କର୍ମେ ଯାହାମିଳୁ ତହିଁ ଚଳିଯାଅ।
୧ ୪୪-ଭାଇ,ପୁତ୍ର, ବନ୍ଧୁ, ଭାର୍ଯ୍ୟା କିଏ ବା କାହାର କାହୁଁ ଆସି କାହିଁ ଯିବୁ ମନେ ତୁ ବିଚାର।
୧ ୪୫-ଧନ, ଜନ,ଯୌବନର ଗର୍ବ ତୁ ନକର କାଳେ ତାହା ନାଶ ହେବ, ବ୍ରହ୍ମପଦ ଧର।
୧ ୪ ୬-ପଦ୍ମ ପତ୍ରେ ଜଳ ସମ, ଜୀବନ ଚଞ୍ଚଳ କ୍ଷଣେ ସାଧୁ ସଙ୍ଗ ଫଳେ ତର ଭବଜଳ।
୧ ୪୭-ଜନ୍ମ ଯେଣୁ ବାବୁ ତୋର ମରଣ ନିଶ୍ଚତ ମଲେ ପୁଣି ଜନ୍ମ ହେବୁ ଏହା ଶାସ୍ତ୍ର ମତ।
୧ ୪୮-ଜରାଗ୍ରାସେ ଶରୀରରୁ ଶକ୍ତି ହ୍ରାସ ହେଲା ଅଳ୍ପଦିନେ ପ୍ରାଣ ଯିବ ଆଶା ତୋ ନ ଗଲା।
୧ ୪୯-ବିଷ୍ଣୁ ପଦେ ଆଶାଥିଲେ ପ୍ରକୃ ତିର ସଂଙ୍ଗ ପରିତ୍ୟାଗ କଲେ ମିଳେ ବଇକୁଣ୍ଠ ର ଯୋଗ।
୧ ୫ ୦-ତୋର ମୋର ଭାବ ପୁଣି ଏ ସଂସାର ଚିତ୍ର ସବୁ ମିଥ୍ୟା ଜାଣି ଶୋକ କରୁ ଏ ବିଚିତ୍ର।
୧ ୫ ୧-ବାଳ କାଳେ କ୍ରୀଡା ଶକ୍ତ, ଯୌବନେ ଯୁବତୀ ବୃଦ୍ଧ କାଳେ ଚିନ୍ତା ମଗ୍ନ,ବ୍ରହ୍ମେ ନାହିଁ ମତି।
୧ ୫୨-ଅର୍ଥ ସଦାକାଳେ ହୁଏ ଅନର୍ଥର ମୂଳ ଭୟେ ଥରୁଥାନ୍ତି ସଦା ଧନଶାଳୀ ଦଳ।
୧ ୫୩-ଉପାର୍ଜନ କ୍ଷମଥିଲେ ସଭିଏଁ ପୂଜନ୍ତି ଜରାଜୀର୍ଣ୍ଣ ହେଲେ ପାଶୁ ଦୂର ହୋଇଯାନ୍ତି।
୧ ୫୪-କାମ,କ୍ରୋଧ,ଲୋଭ,ମୋହ ପରିହାର କରି ଆତ୍ମାର ସନ୍ଧାନ ପାଇ ଛାଡ ମର୍ତ୍ତ୍ୟ ପୁରୀ।
୧ ୫୫-ନଦୀପାର ହେବା ପାଇଁ ନାବ ଦରକାର ବ୍ରହ୍ମନାବ ପାର କରେ ଏ ଭବ ସାଗର ।
୧ ୫ ୬-ବିଷୟା ଶକ୍ତ ମନୁଷ୍ୟ କର୍ମେ ବଦ୍ଧ ହୁଏ ଆସକ୍ତି ନ ଥିଲେ ଲୋକ ସ୍ୱର୍ଗ ସୁଖ ପାଏ।
୧ ୫୭-ସମାଧିଷ୍ଠ ବ୍ୟକ୍ତି ସୁଖେ ନିଦ୍ରା ଯାଇଥାଏ ଇନ୍ଦ୍ରିୟଙ୍କୁ ବଶୀଭୂତ ବିବେକୀ କରାଏ।
୧ ୫୮- ତୃଷ୍ଣାଥିବା ମାନବକୁ ଦରିଦ୍ରଟି କହି ଆଶାହୀନ ବ୍ୟକ୍ତି ପୁର୍ଣ୍ଣ ସନ୍ତୋଷ ଲଭଇ ।
୧ ୫୯-କାମାତୁର,ମମତା ଭିମାନି ଜନ ଅନ୍ଧ ସ୍ୱର୍ଣ୍ଣ ମୃଗ ପଛେ ଧାଏଁ, ସ୍ୱର୍ଗ ଦ୍ୱାର ବନ୍ଦ ।
୧ ୬ ୦-ଭବରୋଗର ଡାକ୍ତର ଗୁରୁବୋଲି ଜାଣ ସଦ୍ ବିଚାର ଓୌଷଧେ ଭାଙ୍ଗେ ବ୍ୟାଧି ଟାଣ।
୧ ୬ ୧-ସଂସାରରେ ଭୟ ବସ୍ତୁ କାମିନୀ କାଞ୍ଚନ ଚିତ୍ତ ଶୁଦ୍ଧି ,ଶୀଳ ଗୁଣେ ତରିବୁ ଏମାନ।
୧ ୬୨-ବିବେକ ହୀନ ମଣିଷ୍ୟ ଚିନ୍ତା ଜ୍ୱରେ ପଡେ ବିଷ୍ଣୁ ଭକ୍ତ ଜନ କେବେ ପ୍ରମାଦଦେ ନପଡେ।
୧ ୬ ୩-ପ୍ରାଜ୍ଞ,ଧୀର,ତୁଲ୍ୟ ଦୃଷ୍ଟି ଥିବ ଯାହାଠାରେ କାମବାଣେ ଜର୍ଜରିତ ନହେବ ସଂସାରେ।
୧ ୬ ୪-ବିଷଠାରୁ ଶ୍ରେଷ୍ଠ ବିଷ ବିଷୟ ସମ୍ପଦ ବିଷୟେ ବୈରାଗ୍ୟ ଯାର ତାକୁ ଧନ୍ୟବାଦ।
୧ ୬ ୫-ଲଘୁ ତାର ମୂଳ ଜାଣ ମାଗଇ ଯେ ଭିକ୍ଷା ଗୁରୁ ତାର ମୂଳ ଅଟେ ଅପ୍ରାର୍ଥନା ଦୀକ୍ଷା।
୧ ୬ ୬-ଯଥା କାଳେ ସତ୍ୟ କଥା ଯେ କହି ନପାରେ ଜ୍ଞାନୀ ଗଣ ମୂକ ବୋଲି କହିଥାନ୍ତି ତାରେ।
୧ ୬୭-ହିତକର କଥା ଯେହୁ ଶ୍ରବଣ ନକରେ ବଧୀର ବୋଲି ତାହାକୁ ବୋଲନ୍ତି ସଂସାରେ।
୧ ୬ ୮-କାମ,କ୍ରୋଧ,ମିଥ୍ୟା,ଲୋଭ,ତୃଷ୍ତା, ମୋହ ଆଦି ଶତ୍ରୁଠାରୁ ମହାଶତ୍ରୁ ହଜାନ୍ତି ସେ ବୁଦ୍ଧି।
୧ ୬ ୯-ଯମଠାରୁ ପରିତ୍ରାଣ ପାଇବା ପାଇଁକି ପ୍ରାଣ ପଣେ ଧ୍ୟାନ କର ଜଗତସାଇଁକି।
୧ ୭ ୦-ସୁବିଦ୍ୟା ଅଟଇ ତୋର ଜୀବନର ଧନ ତାର ବଳେ ସୁଖ ମିଳେ ତୋ ସାରା ଜୀବନ।
୧ ୭୧- ଲୋକାପବାଦକୁ ତୁହି ଭୟ ରଖିଥବୁ ବିପଦ ପଡିଲେ ବନ୍ଧୁ ସାହାଯ୍ୟ କରିବୁ।
୧ ୭୨-କଣ୍ଠ ଗତ ପ୍ରାଣ ହେଲେ ନକର ଅଧର୍ମ କଣ୍ଠଗତ ପ୍ରାଣ ହେଲେ କର ବ୍ରହ୍ମ ଧ୍ୟାନ।
୧ ୭ ୩-ଅହର୍ନିଶୀ କର ଚିନ୍ତା ଏ ଜଗତ ମିଥ୍ୟା ବ୍ରହ୍ମ ସତ୍ୟ,ମୁହିଁ ସତ୍ୟ ,ସତ୍ୟ ମୋର ଆତ୍ମା।
୧ ୭ ୪ –ଯାହା କଲେ ଶୀକୃଷ୍ଣଙ୍କ ପ୍ରୀତି ଜାତ ହୁଏ ତାହାକୁଟି କର୍ମ ବୋଲି ବେଦ ଶାସ୍ତ୍ର କହେ।
୧ ୭ ୫-ତପସ୍ୟା କାଳରେ କ୍ଷୀଣ ହୋଇଛି ଯା ପାପ ମୁମୁକ୍ଷୁ,ବୀତସ୍ପୃହ ହେଲେ ବୁଝିବୁତ ବାପ।
୧ ୭୬ –ଦେହକୁ ମୁଁ,ମୋର ବୋଲୁଅଛୁରେ ପାମର ଅବିଦ୍ୟା ଜ୍ଞାନ ଏହାକୁ ଛାଡ ତୁ ସତ୍ୱର।
୧ ୭୭-ମିଥ୍ୟାଟି ସତ୍ୟ ପ୍ରାୟ ହେଉଛି ପ୍ରତିଭାତ ଜ୍ଞାନ ଲୋଚନେ ତାହା ହୋଇବ ଅନ୍ତର୍ହୀତ
୧ ୭ ୮ –ଅବିଦ୍ୟା ଆତ୍ମାକୁ ଆବରଣ କରି ରଖେ ଯେପରି ସୁର୍ଯ୍ୟଙ୍କୁ ମେଘ ଆଢୁଆକେ ରଖେ।
୧ ୭ ୯ –ଇନ୍ଦ୍ରଜାଲ ଦର୍ଶନରେ ମଣେ ସବୁ ସତ୍ୟ ଇନ୍ଦ୍ରଜାଲ ନିବୃତ୍ତିରେ ମଣଇ ଅସତ୍ୟ।
୧ ୮ ୦-ଜ୍ଞାନ ଅଟଇଟି ବାବୁ ଆଚାର୍ଯ୍ୟ ଅଧୀନ ଚିହ୍ନି ଆଚାର୍ଯ୍ୟ ସେବିଲେ ପାଇବୁ ସେ ଧନ।
୧ ୮ ୧-ବ୍ରହ୍ମଜ୍ଞାନୀ ଆଚାର୍ଯ୍ୟଙ୍କୁ କିପରି ଚିହ୍ନିବୁ ବ୍ୟାକୁଳ ବଢିଲେ ବ୍ରହ୍ମ ଭେଟାଇବେ ବାବୁ।
୧ ୮୨-ଧର୍ମର ଚାରୋଟି ଅଙ୍ଗ ସାଧୁଏ କହନ୍ତି ସତ୍ୟ ,ଶାନ୍ତି,ଦୟା,କ୍ଷମା,ଗୁଣକୁ କହନ୍ତି।
୧ ୮୩-ସାଧୁ ସଙ୍ଗ କଲେ ନିତ୍ୟ ଜ୍ଞାନ ଲାଭ ହୁଏ ସତ୍ ସଙ୍ଗରେ ମନ ଦିଅ କହୁଅଛି ପୋଏ।
୧ ୮୪-ଚାରି ପ୍ରକାରର ଭକ୍ତ ଶ୍ରୀକୃଷ୍ଣ କହନ୍ତି ଆର୍ତ୍ତ, ଜିଜ୍ଞାସୁ,,ଅର୍ଥାର୍ଥୀ,ଜ୍ଞାନୀଙ୍କୁ ବୋଲନ୍ତି।
ଦୁଃଖ ନିସ୍ତାର ପାଇଁକି ସେବେ ଆର୍ତ୍ତ ଭକ୍ତ ଜିଜ୍ଞାସୁ ସେବଇ ପ୍ରକୃତିରୁ ହବ ମୁକ୍ତ।
ସୁଖ ଶାନ୍ତି ପାଇବାକୁ ଅର୍ଥାର୍ଥୀ ସେବଇ ବ୍ରହ୍ମକୁ ପାଇବାପାଇଁ ଜ୍ଞାନୀ ଭଜୁଥାଇ।
୧ ୮୫-ପ୍ରାରବ୍ଧ କର୍ମାନୁସାରେ ଚିତ୍ତର ସଂସ୍କାର ହୋଇଥାଏ ଯେଣୁ ସଦା ସତ ସଙ୍ଗ କର।
୧ ୮ ୬-କର୍ମ ଛାଡିଦେଲେ ବାବୁ ନମିଳିବ କିଛି କେବଳ ସନ୍ନ୍ୟାସ ଧରି ସିଦ୍ଧି କେ ପାଇଛି।
୧ ୮୭-କେହି କାହିଁ କର୍ମ ଛାଡି ନପାରେ ସଂସାରେ ସ୍ୱଭାବ ଗୁଣରେ କର୍ମ ଝିଙ୍କି ବାନ୍ଧେ ତାରେ।
୧ ୮୮-କର୍ମେ ଇନ୍ଦ୍ରିୟଙ୍କୁ ରୋଧି ବିଷୟ ଭାବନା କରୁଛନ୍ତି ଯେଉଁମାନେ ମିଥ୍ୟାଚାରୀ ସିନା।
୧ ୮୯-ଜୀବ ଯାହା କରେ ତାହା କର୍ମ ବୋଲି ଜାଣ ବସିବା ,ଉଠିବା,ଯିବା ,ଭୋଜନ, ଶୟନ।
୧ ୯ ୦-ଅକର୍ମଠୁ କର୍ମ ବଡ ତେଣୁ କର୍ମ କର ଭୋଜନ, ପାନ ଛାଡିଲେ ନଷ୍ଟ ତୋ ଶରୀର।
୧ ୯ ୧ -ବିଭୁ ଅର୍ଥେ କର କର୍ମ ଆନେ ବଦ୍ଧ ହୁଏ ଆସକ୍ତି ତ୍ୟାଗ କର୍ମରେ ବହୁ ଲାଭ ହୁଏ।
୧ ୯ ୨-ଯଜ୍ଞରୁ ତ ପ୍ରଜା ସୃଷ୍ଟି ବ୍ରହ୍ମା କରିଥଲେ ଯଜ୍ଞରେ ବାଞ୍ଛିତ ଫଳ ଲଭିବ ବୋଇଲେ।
୧ ୯୩-ଅନ୍ନ ନ ଖାଇଲେ ପ୍ରାଣୀ କିପରି ଜନ୍ମିବେ ବୃଷ୍ଟି ବିନା କାହିଁ ଅନ୍ନ ସମ୍ଭବିଛି କେବେ।
୧ ୯୪-ଯଜ୍ଞ କଲେ ବୃଷ୍ଟି ହୁଏ ଯଜ୍ଞ କର୍ମୁ ଜାତ କର୍ମ ପ୍ରକୃତିରେ ଲୀନ ସେତ ବହୁ ଜାତ ।
୧ ୯୫-ଏହି କର୍ମ ତତ୍ତ୍ୱଟିକୁ ନ ଜାଣେ ଅଜ୍ଞାନ ସେ ପାପୀ ଅଧମ ବୃଥା ଯାଏ ତା ଜାବନ।
୧ ୯ ୬-କୃତ ବା ଅକୃତ କର୍ମେ ପ୍ରୟୋଜନ ନାହିଁ ସାରା ସଂସାରରେ ତାର ସ୍ୱାର୍ଥ ଅବା କାହିଁ।
ବ୍ରହ୍ମପାଇଁ କର କର୍ମ ଅନାସକ୍ତେ ରହି ଆସକ୍ତି ନଥିଲେତ ପରମ ଗତି ପାଇ।
୧ ୯୭-କର୍ମ କରି ଯାଇଛନ୍ତି ସିଦ୍ଧ ଯେ ଜନକ ତେଣୁ ତାଙ୍କୁ ଗୁରୁ କରି ଅଛନ୍ତି ଯେ ଶୁକ।
୧ ୯୮-ଭଗବାନ କହୁଛନ୍ତି ଶୁଣ ଆରେ ଧନ ବଡ ଆଗେ ଗଲେ ପଛେ ଯାଏ ଅକିଞ୍ଚନ।
୧ ୯ ୯-ମୋର ପ୍ରାପ୍ୟ ଅପ୍ରାପତ କାହିଁ ନାହିଁ ବାବୁ କର୍ତ୍ତବ୍ୟ ନଥାଇ କର୍ମ କରୁଅଛି ସବୁ।
୨୦ ୦ -ଆଳସ୍ୟ ପଣରେ ଯଦି କର୍ମ ମୁଁ ନକରେ ସବୁମନ୍ତେ ମୋର ପଥ ଧରିବେଟି ନରେ।
୨୦ ୧ –ଅଜ୍ଞାନୀ ଆସକ୍ତ ଭାବେ କର୍ମ କରୁଥାଏ ଲୋକ ରକ୍ଷା ଅର୍ଥେ ଜ୍ଞାନୀ କର୍ମେ ରତ ହୁଏ ।
୨୦ ୨ –ପ୍ରକୃତି ଗୁଣରେ କର୍ମ ହୁଅଇରେ ଧନ ଅହଙ୍କାରୀ ,ମୂଢ କହେ ମୁଁ କରୁଛି ଜାଣ।
୨୦୩-ଗୁଣ କର୍ମଠାରୁ ଆତ୍ମା ସଂପୁର୍ଣ୍ଣ ପୃଥକ ଜାଣି ଆସକ୍ତି ଛାଡିଣ କରେ ଜ୍ଞାନୀ ଲୋକ ।
୨୦୪-ଜ୍ଞାନୀ ଲୋକ କର୍ମ କରେ ପ୍ରକୃତିର ସେବା ସମସ୍ତେ ପ୍ରକୃତିଗାମୀ ନିଗ୍ରହେ କି ହେବା ।
୨୦୫-ଦ୍ୱେଷ, ଅନୁରାଗେ ତୋର ବିଷୟେ ରହିଛି ଉଭୟେ ଶ୍ରେୟର ଶତ୍ରୁ ତ୍ୟାଗ ମୁଁ କହୁଛି।
୨୦ ୬-ନିଜ ଧର୍ମଠାରୁ ପର ଧର୍ମ ହେଲେ ବଡ ତଥାପି ସ୍ୱଧର୍ମ କେବେ ନଛାଡରେ ମୂଢ।
୨୦୭-କର୍ମ ତ୍ୟାଗେ କର୍ମ ଯୋଗେ ଉଭୟରେ ମୁକ୍ତି କର୍ମ ତ୍ୟାଗଠାରୁ କର୍ମ ଯୋଗଳ ଅତି।
୨୦ ୮-କର୍ମ ବିନା ସନ୍ନ୍ୟାସୀର ଦୁଃଖ ହୁଏ ସାର କର୍ମ ଯୋଗୀ ଶିଘ୍ର ପାଏ ବ୍ରହ୍ମର ଗୋଚର।
୨୦୯-ସେ ମୁନି ଆତ୍ମଜ୍ଞ ଦେଖି, ଶୁଣି,ଖାଇ,ପିଇ ସର୍ବେନ୍ଦ୍ରିୟେ କର୍ମ କରି କିଛି କରୁନାହିଁ।
୨ ୧ ୦-ଯାଇ ,ଆସି,ଶୁଙ୍ଘି ଛୁଇଁ,ଦେଖି ସବୁ ଶୁଣେ ଇନ୍ଦ୍ରିୟେ ଇନ୍ଦ୍ରିୟ କର୍ମେ ଲିପ୍ତଛନ୍ତି ମଣେ।
୨ ୧ ୧-ଆଳସ୍ୟ ତେଜି ଯେ କର୍ମ ପ୍ରଭୁଙ୍କର ଭାବେ ପଦ୍ମ ପତ୍ରେ ଜଳ ପରି ପାପ ତ ନ ଲାଗେ।
୨ ୧ ୨-ଆତ୍ମ ଶୁଦ୍ଧି ପାଇଁ କର୍ମ କରେ ଯୋଗୀଜନ କର୍ମୁ ସଉକ ଛାଡିଣ ଦେଇ ବୁଦ୍ଧି ମନ।
୨ ୧ ୩-କର୍ମ ଫଳ ଛାଡି ଯୋଗୀ ଲଭଇ ମୁକତି ଯୋଗହୀନ ବଦ୍ଧ କର୍ମେ ରଖିଣ ଆସକ୍ତି।
୨ ୧ ୪-କର୍ମରୁ ମମତା ଛାଡି ଦେଇ ଯୋଗୀଜନ ନବ ଦ୍ୱାର ପୁରେ ବସେ ନିର୍ଦ୍ୱନ୍ଦ ହୋଇଣ।
୨ ୧ ୫-ଲୋକର ନିଜର କର୍ମ କିବା କର୍ମ ଫଳ ଇଶ୍ୱର ସର୍ଜନ ନୁହେ ସ୍ୱଭାବ ତା ମୂଳ।
୨ ୧ ୬-କାହାରି ପାପ ପୁଣ୍ୟରେ ନ ଥାଆନ୍ତି ହରି ଅଜ୍ଞାନରେ ଜୀବ କହେ ସବୁ କରେ ହରି।
୨ ୧ ୭-ଆତ୍ମଜ୍ଞାନେ ଏ ଅଜ୍ଞାନ ଯାହାର ତୁଟଇ ଆଦିତ୍ୟ ପରି ପ୍ରକାଶ ତା ହୃଦରେ ହୋଇ।
୨ ୧ ୮-ବ୍ରହ୍ମେ ଭାବି,ବ୍ରହ୍ମେ ବୁଡି ତନ୍ମୟ ତତ୍ପର ଜ୍ଞାନେ ଧୌତ ପାପ ତାର ସଂସାରୁ ସେ ପାର।
୨ ୧ ୯ ଜ୍ଞାନେ ନମେ ସଦା ସେହି ଗୋ,ହସ୍ତୀ ଚାଣ୍ଡାଳେ ପଣ୍ଡିତ ଜନର ସମ ଦୃଷ୍ଟି ସବୁଠାରେ।
୨ ୨ ୦-ଏ ସଂସାରେ ସୁଖ ଯେବେ ପାଇବାକୁ ଇଛା ଧର୍ମ ପଥେ ଗତିକଲେ ପୂର୍ଣ୍ଣ ହେବ ବାଞ୍ଛା।
୨ ୨ ୧-ନିଜ ଆତ୍ମା ପରି ଅନ୍ୟ ଆତ୍ମା କୁ ମଣିବ ପର ଭାବି ଅପମାନ କାହାକୁ ନ ଦେବ।
୨ ୨ ୨-ଶୁଷ୍କ କାଷ୍ଠ ଘର୍ଷଣରେ ଅଗ୍ନି ହେବ ଜାତ ଭକ୍ତି ପ୍ରଭାବରେ ତାଙ୍କୁ ଦେଖିବୁ ସାକ୍ଷାତ।
୨ ୨୩-ଚେତନ ଅମର ଆତ୍ମା ମୁହିଁ ବୋଲି ଜାଣ ଜଗତ ଅସତ୍ ଆଉ ଅଟେ ଅଚେତନ।
୨ ୨୪-ସଂସାର ଭୋଗେ ଆନନ୍ଦ ନ ଥାଏରେ ବାବୁ ଆତ୍ମାରେ ଆନନ୍ଦମାନ ରହିଅଛି ସବୁ।
୨ ୨୫-ଏକାନ୍ତରେ ବସି ଆତ୍ମା ପରମାତ୍ମା ଚିନ୍ତା କଲେ ଶାନ୍ତି ଲଭିବୁତୁ ଘୁଞ୍ଚିବ ଅହନ୍ତା।
୨ ୨ ୬-ଅତିଜ୍ଞାନୀ ହୋଇଅଛ ପାଠ ପଢି ପଢି ଆତ୍ମାକୁ ଚିହ୍ନି ନଥିଲେ ସବୁ ଗଲା ଉଡି।
୨ ୨୭-କର୍ମ କରି ମୁର୍ଖ ଲୋକ ପୋଷେ ନିଜ ପେଟ ଶାସ୍ତ୍ର ପଢି ତୁମେ ଯେବେ ଆତ୍ମାକୁ ନ ଭେଟ।
୨ ୨୮-ସକଳ ଶାସ୍ତ୍ର ପଢିବା ଅକାରଣ ହେଲା ବ୍ୟବସାୟ କରି ଶେଷେ ମୂଳ ବୁଡିଗଲା।
୨ ୨୯-କଦାପି ନିଷ୍କର୍ମା ହୋଇ ବସି ରହନାହିଁ ଆତ୍ମା ଚିନ୍ତା ଶ୍ରେଷ୍ଠ କର୍ମ କର ମନ ଦେଇ।
୨ ୩ ୦-ଆତ୍ମଜ୍ଞାନ ଲାଭ ହେଲେ କାମନା ବାସନା ମନ ମଧୁ ଦୂର ହୁଏ ନ କର ଶୋଚନା।
୨ ୩ ୧-ନିର୍ଗୁଣ ବ୍ରହ୍ମଙ୍କୁ ତୁହି କରୁଥିଲେ ଧ୍ୟାନ ପରମାତ୍ମାଠାରେ ଚିତ୍ତ ହୋଇଯିବ ଲୀନ।
୨ ୩ ୨-ଭୋଗରୁ ଚିତ୍ତକୁ ଆଣି ବ୍ରହ୍ମେ ତୁହି ଲଗା ପରାଶାନ୍ତି ଲଭିବୁତୁ ନ ହେବୁ ଅଭାଗା।
୨ ୩୩-ଦୃଶ୍ୟମାନ ବସ୍ତୁ ଯେତେ ସବୁ ମିଥ୍ୟା ଜାଣ ନିଜ ଆତ୍ମା ପରମାତ୍ମାଙ୍କର ଅଂଶ ପୁଣ।
୨ ୩୪-ଇଶ୍ୱରଙ୍କଠାରେ ଚିତ୍ତ ସମର୍ପଣ କର ତାର ନାମ ଯୋଗ ବୋଲି କହିଛି ଶାସ୍ତ୍ରର।
୨ ୩୫-ଆଳସ୍ୟ ତ୍ୟାଗ କରିଣ ନିଷ୍କାମ ଚିତ୍ତରେ ପରମାତ୍ମଠାରେ ଯୋଗ କର ନିରନ୍ତରେ।
୨ ୩ ୬-ସକଳ ପ୍ରାଣୀ ଅନ୍ତରେ ବସେ ନାରାୟଣ ଗୀତା ଶାସ୍ତ୍ର ମଧ୍ୟେ ତାହା ହୋଇଛି ପ୍ରମାଣ।
୨ ୩୭-ଆକାଶକୁ ଦେଖ କେଡେ ବିରାଟ ଅଟଇ ତାଠାରୁ ବଳି ବୃହତ୍ତ ଇଶ୍ୱର ହୁଅଇ।
୨ ୩୮-ମନର ମୃତ୍ୟୁ ନ ହେଲେ ମୁକ୍ତି ନ ମିଳିବ ବ୍ରହ୍ମର ତତ୍ତ୍ଵ ଜାଣିଲ ମନ ମୃତ୍ୟୁ ହେବ।
୨ ୩୯-ଏକମାତ୍ର ବ୍ରହ୍ମଠାରୁ ସକଳ ଉତ୍ପତ୍ତି ଏହା ଜାଣିଲେ ତୁମ୍ଭର ନ ରହିବ ଭୀତି।
୨୪ ୦-ସଚରାଚର ପ୍ରାଣୀରେ ବିଷ୍ଣୁ ବିରାଜିତ ଏହା ଜାଣି କୃଦ୍ଧ ହେବା ନୁହଇ ଉଚିତ।
୨୪ ୧-ଆତ୍ମ ବୋଧ ହେଲେ ଛାଡେ ସଂସାର ବନ୍ଧନ ନରକର ଦ୍ୱାର ଅଟେ ପ୍ରକୃତି ମିଳନ।
୨୪ ୨-ଯେଉଁ ବିଦ୍ୟା ବଳେ ବ୍ରହ୍ମ ପ୍ରାପ୍ତି ମୁକ୍ତି ମିଳେ ଆତ୍ମ ତତ୍ତ୍ୱ ମନ ଜୟ ଜ୍ଞାନ ତହିଁ ମିଳେ।
୨୪୩-ଅଦ୍ୱିତୀୟ ବ୍ରହ୍ମ ତତ୍ତ୍ୱ ଏକମାତ୍ର ତତ୍ତ୍ୱ ଏ ତତ୍ତ୍ୱେ ବିଶ୍ୱାସ କଲେ ବୁଝିବ ମହତ୍ତ୍ୱ।
୨୪୪- ପୁର୍ଣ୍ଣ ବ୍ରହ୍ମ ଜ୍ଞାତ ହେଲେ ନ ରହେ ଅଜ୍ଞାନ ବ୍ରହ୍ମାନନ୍ଦ ସୁଖ ତାଠି ଥାଏ ଅନୁକ୍ଷଣ।
୨୪୫-ବ୍ରହ୍ମ ସଚ୍ଚିଦାନନ୍ଦ ସେ ବୁଦ୍ଧିର ସାକ୍ଷୀ ତାଙ୍କୁ ନମସ୍କାର କର ସେ ଅନନ୍ତ ରୁପୀ।
୨୪ ୬-ନ ଜାଣି ତାହାଙ୍କୁ ସତ୍ୟ ସଂସାରକୁ ଦେଖୁ ସଂସାର ମିଥ୍ୟା ହେବ, ଜାଣି ପାରିଲେ ତାଙ୍କୁ।
୨୪୭-ଜନ୍ମ ପୁର୍ବୁ ଏହି ଦେହ ନ ଥିଲା ତୁମର କିଛି ଦିନ ରହି ପୁଣି ହୋଇଯିବ ଦୂର।
୨୪୮-ଏହି ଦେହ ମଧ୍ୟେ ଅଛି ଯେବଣ ଆତ୍ମାଟି ଆଗେ ଥିଲା ଏବେ ଅଛି ପରେ ରହିବଟି।
୨୪୯-ଆତ୍ମାଟି ଅଟଇ ସତ୍ୟ ଦେହଟି ଅସତ୍ୟ ଏହା ଆତ୍ମ ଜ୍ଞାନ ଅଟେ ଘୋଷୁଥିବୁ ନିତ୍ୟ।
୨୫ ୦-ଚିରା ପୁରୁଣା ବସନ ତ୍ୟାଗ କରି ନର ନୂତନ ବସ୍ତ୍ର ପିନ୍ଧିଣ ଦିଶଇ ସୁନ୍ଦର।
୨୫ ୧-ଜରାଜୀର୍ଣ୍ଣ ଶରୀରକୁ ଆତ୍ମା ତ୍ୟାଗ କରେ ନୂତନ ଶରୀର ଧରି ଲୀଳାକୁ ଆଚରେ।
୨୫୨-ପୂର୍ବ ଜନ୍ମ କର୍ମ ଫଳ ନୂତନ ଜନ୍ମରେ ଭୋଗ କରୁଥାଏ ଜୀବ ଏହି ସଂସାରରେ।
୨୫୩-ଯେପରି କର୍ମ କରିଛି ସେହିପରି ଫଳ ଏଠାରେ ଆସି ମିଳୁଛି ତାକୁ ନାହିଁ ବଳ।
୨୫୪-ଏ ଜ୍ଞାନ ଜନ୍ମିଲେ ମନ୍ଦ କର୍ମ ନ କରିବୁ ଏହା ଫଳେ ଜୀବ ମୁକ୍ତ ହୋଇଯିବ ବାବୁ।
୨୫୫-ପଞ୍ଚଭୂତେ ଗଢାଯିବ ସ୍ୱଭାବରେ ଜଡ ତା ମଧ୍ୟେ ଚେତନ ଆତ୍ମା ହୁଏ ଖଡ ବଡ।
୨୫ ୬-ସତ ଓ ଅସତ ମିଶି ଗଡାଏ ଶରୀର ଏହା ଜାଣି ସଂସାରରେ କର୍ମ ତୁହି କର।
୨୫୭-କର୍ମକୁ ଛାଡିବୁ ନାହିଁ କର୍ମେ ତୋର ମୁକ୍ତି ଇଶ୍ୱରଙ୍କ ପାଇଁ ସତ କର୍ମ କର ନିତି।
୨୫୮-ମୁହିଁ ଦେହ ନୁହେ ଏହି ଜ୍ଞାନ ଜନମିଲେ ଦେହ ପ୍ରତି ମମତା ତୋ ନ ରହିବ ଭଲେ।
୨୫୯-ଆତ୍ମା ପ୍ରତି ଆତ୍ମାର ଯେ ମମତା ବଢିଲେ ଚିର ଶାନ୍ତି ହୃଦୟରେ ବିରାଜିବ ଭଲେ।
୨ ୬ ୦- ବର୍ଣ୍ଣ, ଧର୍ମ, ଆଚାର,ଆଶ୍ରମ ଯେତେ ଥିଲା ଆତ୍ମ ଜ୍ଞାନେ ସେ ସବୁର ବିଲୋପ ଘଟିଲା
୨ ୬ ୧-ଶରୀରଟି ସ୍ଥୂଳ ଯେଣୁ ରୂପ ତାର ଅଛି ଆତ୍ମା ଅତି ସୁକ୍ଷ୍ମ ହେତୁ ଅରୂପ ହୋଇଛି।
୨ ୬ ୨-ପଞ୍ଚଭୂତ ସରୀରରୁ ଇନ୍ଦ୍ରିୟ ଉତ୍ପତ୍ତି ଆଉମଧ୍ୟ ଶରୀରରୁ ତ୍ରିଗୁଣ ଜନ୍ମନ୍ତି।
୨ ୬୩-ସ୍ୱଭାବରେ ଆତ୍ମା ଗୋଟି ନିର୍ଗୁଣ ଅଟଇ ଶରୀରରେ ବାସ ଯେଣୁ ଗୁଣ ସଙ୍ଗ ପାଇ।
୨ ୬୪-ଇନ୍ଦ୍ରିୟ ଗୁଡିକ ଜଡ ଦେହରୁ ଉତ୍ପତ୍ତି ଆତ୍ମା ଲୟ ଲଗାଇଲେ ଇନ୍ଦ୍ରିୟେ ଚଳନ୍ତି।
୨ ୬ ୫-ସୁର୍ଯ୍ୟର ଆଲୋକେ ହୁଏ ଜଗତ ଆଲୁଅ ଆତ୍ମ ଜ୍ଞାନେ ପ୍ରକାଶିତ ହୁଅଇ ହୃଦୟ।
୨ ୬ ୬-ଜ୍ଞାନ ସ୍ୱରୁପଟି ଆତ୍ମା ମନେ ରଖିଥା୍ଅ ତେଣୁ ଆତ୍ମଜ୍ଞାନେ ମନ ସର୍ବଦା ବଳାଅ।
୨ ୬୭-ଆତ୍ମଜ୍ଞାନ ପ୍ରକାଶିଲେ ଯାଏ ଭବ ବ୍ୟାଧି ଆତ୍ମଜ୍ଞାନ ଅଟେ ଭବ ବ୍ୟାଧିର ଔଷଧି।
୨ ୬୮-ଏହି ଜ୍ଞାନେ ଦେହୁ ତୋର ତ୍ରିଗୁଣ କଟିବ ତ୍ରିଗୁଣ କଟିଲେ ବ୍ରହ୍ମ ଭାବ ଅନୁଭବ।
୨ ୬୯-ତ୍ରିଗୁଣ କଟିଲେ ଜୀବ ଇଶ୍ୱର ହୋଇବ ଭାଗବତେ କହିଛନ୍ତି ଏହା ବ୍ୟାସ ଦେବ।
୨ ୭ ୦-ତ୍ରିଗୁଣ ଅତୀତ ବୋଲି କିପରି ଜାଣିବ ଗୀତାରେ ବୁଝାଇ ଦେଇଛନ୍ତି ବାସୁଦେବ।
୨ ୭ ୧ –ସ୍ଥିତ ପ୍ରଜ୍ଞ ହେଲେ ତୁହି ମୋହେ ନ ପଡିବୁ ସ୍ଥିତ ପ୍ରଜ୍ଞ ହେବା ସୁତ୍ର ଗୀତାରୁ ବୁଝିବୁ।
୨ ୭୨-ମନରୁ କାମନା ସବୁ ତ୍ୟାଗ କରି ଦେବୁ ତେବେ ଯାଇ ସ୍ଥିତ ପ୍ରଜ୍ଞ ହୋଇବୁରେ ବାବୁ।
୨ ୭୩-ଦୁଃଖେ ସୁଖେ କେବେ ହେଲେ ବିବ୍ରତ ନ ହେବ ରାଗ, ଭୟ ,କ୍ରୋଧ ଗଲେ ସ୍ଥିତ ବୁଦ୍ଧି ହେବ।
୨ ୭୪-ବିଷୟାନୁରାଗ ଶୁଭେ ଆନନ୍ଦିତ ନୁହ ଅଶୁଭରେ ଦୁଃଖୀ ନୋହି ସ୍ଥିତ ପ୍ରଜ୍ଞ ହୁଅ।
୨ ୭ ୫-କୁର୍ମ ଅଙ୍ଗକୁ ସଂକୋଚ କଲାପରି ତୁହି ବିଷୟ ଭୋଗୁଁ ତରିଲେ ପ୍ରଜ୍ଞା ପ୍ରକାଶଇ।
୨ ୭ ୬ –ଦୃଢ ସଂଯମତା ବଳେ ଇନ୍ଦ୍ରିୟ ନିବର୍ତ୍ତେ ରୁଚି ତା ତୁଟିବ ବାବୁ ବ୍ରହ୍ମର ସାକ୍ଷାତେ।
୨ ୭ ୭-ବ୍ରହ୍ମେ ଯୋଗ ହେଲେ ହୁଏ ଇନ୍ଦ୍ରିୟ ସଂଯତ ଇନ୍ଦ୍ରିଗଣ ବଶ ହେଲେ ପ୍ରଜ୍ଞା ପ୍ରତିଷ୍ଠିତ।
୨ ୭୮-ବାଜେ ଚିନ୍ତା କଲେ ମନେ ସଉକ ବଢଇ ସେଥିରୁ କାମନା ଜନ୍ମେ କ୍ରୋଧ ତହୁଁ ହୋଇ।
୨ ୭୯-କ୍ରୋଧ ବଢିଗଲେ ତୋର ଜ୍ଞାନ ହଜିଯିବ ଜ୍ଞାନ ଚାଲିଗଲେ ବାବୁ ସର୍ବନାଶ ହେବ।
୨୮ ୦-ରାଗ; ଦ୍ୱେଷୁ, ମୁକ୍ତ ହେଲେ ଇନ୍ଦ୍ରିୟ ଜିଣିବ ତହୁଁ ମୁକ୍ତ ହେଲେ ମନ ପ୍ରସନ୍ନ ରହିବ।
୨୮ ୧-ମନ ପ୍ରସନ୍ନ ହୋଇଲେ ଦୁଃଖ ପଳାଇବ ତା ପ୍ରଭାବେ ଚିତ୍ତ ଶାନ୍ତ ବୁଦ୍ଧି ସ୍ଥିର ହେବ।
୨୮୨-ବ୍ରହ୍ମେ ଯୁକ୍ତ ନ ହେଲେରେ ବିଶୁଦ୍ଧ ବିଚାର ଏକାଗ୍ର ଭାବନା ଶାନ୍ତି କାହୁଁ ମିଳେ ତାର।
୨୮୩-ବିଷୟ ପଛରେ ଯାର ମନ ଧାଉଁଥାଏ ନାବେ ବାତ୍ୟା ସମ ତାର ପ୍ରଜ୍ଞା ବୁଦ୍ଧି ନାଶ ଯାଏ।
୨୮୪-ଶୁଣ ହେ ଭକ୍ତ ପ୍ରବର ବିଷୟୁ ଇନ୍ଦ୍ରିୟେ ନିଗୃହୀତ ସଂଯତରେ ପ୍ରଜ୍ଞା ସ୍ଥିତ ହୁଏ।
୨୮ ୫-ସଂସାରୀ ଯାହା ନ ଦେଖେ ଯୋଗୀ ତାହା ଦେଖେ ସଂଯମୀ ଯାହାକୁ ଛାଡେ ସଂସାରୀ ତା ଲୋଡେ।
୨୮ ୬-ନଦୀ କେବେ ସାଗରର ସ୍ଥିରତା ନ ଭାଙ୍ଗେ ସଂଯମୀର ଶାନ୍ତି କେବେ ବିଷୟ ନ ଭାଙ୍ଗେ।
୨୮୭-କାମ, ମୋହ, ମମତା ବରଜେ ଯେଉଁ ନର ସ୍ଥାୟୀ ଶାନ୍ତି ଲାଭ ଗୋଟି ହୁଅଇ ତାହାର
୨୮୮-ଏ ବ୍ରହ୍ମରେ ସ୍ଥିତି ଯେଉଁ ମହାତ୍ମାର ହେବ ମୋହରେ ନପଡି ବ୍ରହ୍ମ ନିର୍ବାଣ ଲଭିବ।
୨୮୯-ଆତ୍ମାକୁ ଯେ ଭଲ ପାଏ ଆତ୍ମାରେ ଯେ ତୃପ୍ତ ଆତ୍ମାରେ ଯେ ସୁଖ ଦେଖେ କାହିଁ ତାର ପାପ।
୨୯ ୦-ଭାଗବତ କହେ ବଦ୍ଧ, ମୁକ୍ତ ବୋଲି ବାଣି ଅଜ୍ଞାନୀଟି ବଦ୍ଧ, ଜ୍ଞାନୀ ମୁକ୍ତ ବୋଲି ଜାଣି।
୨୯ ୧-ସଦାକାଳେ ଦୁଃଖ ପାଏ ଅଜ୍ଞାନୀ ପୁରୁଷ ଜ୍ଞାନ ବଳେ ପ୍ରାଣୀ ଚିର ସୁଖେ କରେ ବାସ।
୨୯୨-ସକଳ ଗୁଣେ ପଣ୍ଡିତ ଶୋଭା ପାଉ ଥାଏ ଅଜ୍ଞାନ ଯୋଗୁଁ ମୁର୍ଖଟି ବହୁ ଦୁଃଖ ପାଏ।
୨୯୩-ଉଚ୍ଚ ବଂଶେ ଜାତ, ଗୁଣ ନ ଥିଲେ ଅପୂଜ୍ୟ ନୀଚ୍ଚ କୁଳେ ଜନ୍ମ ଗୁଣ ବଳେ ହେବ ପୂଜ୍ୟ।
୨୯୪-ଉଚ୍ଚ କୂଳେ ଜନ୍ମ ବପୁ ସୁନ୍ଦର ଦିଶଇ ଜ୍ଞାନ ନଥିଲେ ଲୋକରେ ପୂଜ୍ୟ ସେ ନୁହଇ।
୨୯ ୫-କାଷ୍ଠ ଘର୍ଷଣ ଅଗ୍ନିରେ ବନକୁ ଦହଇ କୁ ପୁତ୍ର ଜନ୍ମିଲେ କୂଳ ଯଶ ବିନାଶଇ।
୨୯ ୬-ବେଶ, ପୋଷାକ ପିନ୍ଧିଣ ମୁର୍ଖ ଶୋଭାପାଏ ବଚନ ପ୍ରକାଶିଲେ ସେ ଲୋକହସା ହୁଏ।
୨୯୭—ହିତ ଉପଦେଶ ଗୁଡି ମନରେ ରଖିବ ସେହି ଅନୁସାରେ ସର୍ବ କାର୍ଯ୍ୟକୁ କରିବ।
୨୯୮-ନିଶ୍ଚୟ ତୁମ୍ଭର କାର୍ଯ୍ୟ ସଫଳ ହୋଇବ କାର୍ଯ୍ୟେ କଦାପି ତୁମର ବିଘ୍ନ ନ ପଡିବ।
୨୯୯-ପାଇବାକୁ ଯାହା ଇଚ୍ଛା କରିଛ ମନରେ ପାଇଅଛ ତାହାସବୁ ସାଧନା ବଳରେ।
ସେଥିରେ କଦାପି ତୁମେ ପାଇନାହଁ ଶାନ୍ତି ବ୍ରହ୍ମ ଦର୍ଶନରେ ସବୁ କଟିବ ଅଶାନ୍ତି।
--------------0-------------
ସୁଖ ଇଚ୍ଛା କରି ଜୀବ ମର୍ତ୍ତ୍ୟକୁ ଆସିଲା ଜଗତ ନୀତି ନଜାଣି ସୁଖ ନପାଇଲା।
ମୁନି ଋଷିଙ୍କର ବାଣୀ ଅନ୍ୟଥା ନହୁଏ ତାଙ୍କ ବାକ୍ୟରେ ଚଳିଲେ ସର୍ବ ଶୁଭ ହୁଏ।
ଗୀତାରେ ଶ୍ରୀମୁଖ ବାଣୀ ଲେଖା ହୋଇଅଛି ଅଭ୍ୟାସେ ସୁଫଳ ନିଶ୍ଚେ ପାଇବ କହୁଛି।
ମାନବ ପରମାୟୁକୁ ଶତ ବର୍ଷ ଧରି ଚାରି ଭାଗ କରିଛନ୍ତି ମୁନିଏ ବିଚାରି।
ବ୍ରହ୍ମଚର୍ଯ୍ୟାଶ୍ରମ ପୁଣି ଗୃହସ୍ଥ ଆଶ୍ରମ ବାନ ପ୍ରସ୍ଥାଶ୍ରମ ପରେ ସନ୍ନ୍ୟାସ ଆଶ୍ରମ।
ବ୍ରହ୍ମଚର୍ଯ୍ୟାଶ୍ରମ-
ଶିଶୁ ଜନ୍ମ ହେବାପରେ ପାଞ୍ଚ ବର୍ଷ ଯାଏ ପିତାମାତା ପାଶେ ରହି କ୍ରୀଡା କରୁଥାଏ।
ତାହାପରେ ପିତାମାତା ପିଲାଙ୍କୁ ନିଅନ୍ତି ଉତ୍ତମ ଗୁରୁଙ୍କ ପାଶେ ସମର୍ପି ଦିଅନ୍ତି।
କୋଡିଏ ବରଷ ରହେ ଗୁରୁଙ୍କ ସମୀପେ ବିଦ୍ୟା ଶିକ୍ଷା କରି ଫେରେ ମନର ହରଷେ।
ଆଚାର୍ଯ୍ୟଙ୍କ ଠାରୁ ଆଚରଣ ଶିକ୍ଷା କରି ସୁଖେ ଜୀବନ କଟାଏ ଗୃହେ କର୍ମ କରି।
ବିଦ୍ୟାର୍ଜନ ସମୟରେ ମନ ସ୍ଥିର ରଖ ଗୁରୁଙ୍କ ମୁଖକୁ ତୁମେ ଯତ୍ନରେ ନିରେଖ।
ତାହାଙ୍କ ମୁଖରୁ ତୁମେ ଯାହା ଶୁଣିଥିବ ଏକାନ୍ତରେ ବସି ତାହା ସ୍ମରଣ କରିବ।
ଏପରି କଲେ ତୁମର ପାଠ ନିଶ୍ଚେ ହେବ ପରୀକ୍ଷାରେ କେବେହେଲେ ବିଫଳ ନହେବ।
ଗୁରୁଙ୍କୁ ଇଶ୍ୱର ପରି ଭକ୍ତି କରୁଥିବ କଦାପି ଅବଜ୍ଞା ତାଙ୍କୁ କେବେ ନକରିବ।
ତେବେ ତୁମ ଶିକ୍ଷାଗୋଟି ଫଳପ୍ରଦ ହେବ ଅନ୍ୟାୟ ଆଚରଣରେ ନିଶ୍ଚେ ଧ୍ୱଂସ ହେବ।
ସତ୍ୟ କି ମିଥ୍ୟା ଏକଥା ବିଦ୍ୟାର୍ଥୀ ବୁଝିବ ବୁଝିକରି କାର୍ଯ୍ୟ କଲେ ସମ୍ପଦ ଲଭିବ।
ଗୃହସ୍ଥାଶ୍ରମ-
ବିଦ୍ୟା ଶିକ୍ଷା ଶେଷେ ଗୃହେ ପ୍ରବେଶ କରିବ ଉତ୍ତମ କୁଳରେ ତୁମେ ବିବାହ କରିବ।
ଗୁରୁଙ୍କ ପାଖରୁ ଯେଉଁ ବିଦ୍ୟା ଅଭ୍ୟାସିଛ କର୍ମେ ତାକୁ ଲଗାଇଣ ସତ୍ୟାସତ୍ୟ ବାଛ।
ଗୁରୁ ବାକ୍ୟ ଶାସ୍ତ୍ର ମତ,କର୍ମ ଅନୁଭୂତି ମେଳହେଲେ ତୋ ଜୀବନେ ଲଭିବୁ ବିଭୂତି।
ଏହିପରି କର୍ମ କଲେ ସାରା ଜଗତରେ ତୁମ କୀର୍ତ୍ତି ଯଶ ନିଶ୍ଚେ ବ୍ୟାପିବ ମହୀରେ।
ଯୁଗ ଉପଯୋଗୀ କର୍ମ କର ଅନୁକ୍ଷଣ ନୂତନ ଜ୍ଞାନ ପ୍ରଦାନେ ଦେଶ କର ଧନ୍ୟ ।
ପରିବାର ନିୟନ୍ତ୍ରଣ ଶାସ୍ତ୍ରରୁ ପାଇଛ ପରୀକ୍ଷା କରି ଜାଣିବ ସତ୍ୟ କିବା ମିଛ।
ଯଦି ସଦ୍ଜ୍ଞାନ ଗୁରୁଠାରୁ ପାଇଥିବ ସମସ୍ତ କର୍ମ ତୁମର ସଫଳ ହୋଇବ।
ପରିବାର,ଜ୍ଞାତି ,ବନ୍ଧୁ,,ବାନ୍ଧବ ସକଳ ରାଜ୍ୟ, ଦେଶ, ପୃଥିବୀର କରିବ ମଙ୍ଗଳ।
ତୁମ୍ଭର ପବିତ୍ର ନିଷ୍ଠା ସେବା କର୍ମ ଫଳେ ଦେଶୁ ଅନ୍ୟାୟ ସକଳ ପଳାଇବ ବଳେ।
ଗୃହସ୍ଥା ଧର୍ମ ରେ ଯଦି ଏ ସବୁ ନହେଲା ତୁମ କର୍ମ ଧର୍ମ ସବୁ ନଷ୍ଟ ହୋଇଗଲା।
ବାନପ୍ରସ୍ଥ-
ବୟସ ତୃତାୟ ଭାଗେ ଚଳ ବାନାପ୍ରସ୍ଥ ଏ ସମୟ ଗୋଟି ତୁମ ଜୀବନରେ ଶ୍ରେଷ୍ଠ।
ବାଲ୍ୟ କାଳେ ଗୁରୁ ପାଶେ ବିଦ୍ୟା ଶିଖିଥିଲ ତାହାକୁ ଗୃହସ୍ଥାଶ୍ରମେ ବିନିଯୋଗ କଲ।
ଫଳାଫଳ ସବୁ ତୁମେ ଅଙ୍ଗେ ନିଭାଇଲ ପ୍ରକୃତ ଜ୍ଞାନୀ ବୋଲିଣ ଏବେ ବୋଲାଇଲ।
ଏହି ଜ୍ଞାନ ପାଇବାକୁ ଦେଶବାସୀ ଗଣ ଆକାଙ୍କ୍ଷାରେ ଚାହିଁଛନ୍ତି ଉଦ୍ବେଗ ହୋଇଣ।
ଗୃହରେ ନରହି ଦେଶବାସୀଙ୍କ ସେବାରେ କର୍ମ କରି ଶାନ୍ତି ଲଭ ଶେଷ ଜୀବନରେ।
ଗ୍ରାମେ ଗ୍ରାମେ ରାଜ୍ୟେ ରାଜ୍ୟେ କରି ପର୍ଯ୍ୟଟନ ବିପୁଳ ଜ୍ଞାନ ଭଣ୍ଡାର କର ବିତରଣ।
ତୁମ ଅନୁଭୂତି ଜ୍ଞାନ କର୍ଣ୍ଣରେ ପଡିଲେ ଦେଶ ବାସୀଙ୍କର ଜ୍ଞାନ ହୋଇବଟି ଭଲେ।
ତୁମ ସେବାବଳେ ଦେଶ ଉନ୍ନତ ହୋଇବ ଦେଶରୁ ଅଭାବ ସବୁ ଦୂର ହୋଇଯିବ।
ତୁମ୍ଭେ ହେବ ସମାଜର ପ୍ରକୃତ ଗୁରୁଟି ତୁମ୍ଭ ଆର୍ଶୀବାଦେ ଦଶା ପାଲଟି ଯିବଟି।
ବାନ ପ୍ରସ୍ଥଠାରୁ ବଳି ଧର୍ମ ନାହିଁ ଜାଣ ତୁମ୍ଭ ଜ୍ଞାନ ଦାନେ ଦେଶ ଲଭିବ କଲ୍ୟାଣ।
ସନ୍ନ୍ୟାସ ଆଶ୍ରମ-
ଚତୁର୍ଥ ସମୟ ହେଲେ ଅବଶ ହୋଇବ ଶରୀରରେ ଜରା ବ୍ୟାଧି ଆସି ପ୍ରବେଶିବ।
ଏତେବେଳେ ଆଉ କିଛି ଶରୀର ବଳରେ କରି ପାରିବତ ନାହିଁ ଭାବିବ ମନରେ।
ଯାହା ତୁମ ଜୀବନରେ ଘଟିଅଛି ଜାଣ ତାହା ସବୁ ମନ ମଧ୍ୟେ ପ୍ରବେଶିବ ପୁଣ।
ସତ୍ କର୍ମ କରି ଯଦି ଦିନ ଯାଇଥିବ ପଛ କଥା ମନେ ପଡି ଆନନ୍ଦ ହୋଇବ।
ସାରା ଜୀବନର ଚିତ୍ର ମନରେ ଦିଶିବ ସତ୍କର୍ମ ପ୍ରଭାବେ ଚିତ୍ତ ପ୍ରଫୁଲ୍ଲିତ ହେବ।
ଦେଶର ମଙ୍ଗଳ କଥା ମନରେ ଚିନ୍ତିବ ଶରୀର ଦୁର୍ବଳ କଥା ମନ ମଧ୍ୟୁ ଯିବ।
ଦେହକୁ ଛାଡିଣ ମନ ଆତ୍ମାସଙ୍ଗେ ରହି ସଚ୍ଚିଦାନନ୍ଦ ଭାବକୁ ପାଲଟିବ ସେହି।
ଜୀବନରେ ଯଦି ମନ୍ଦ କର୍ମ କରିଥିବ ତାହା ସବୁ ମନେ ପଡି ବ୍ୟାକୁଳିତ ହେବ।
ପାପ ପୁଣ୍ୟ କଥା ସବୁ ମନରେ ଭାଳିବ ପାପ କରିଥିଲେ ମନ ଭୟରେ ଥରିବ।
ଆଉ ତ ବଳ ବୟସ ନଥିରେ ବାବୁ କର୍ମ ବଳେ ପାପକୁ ତୁ ଏଡାଇ ପାରିବୁ।
ଧର୍ମ କରିଥିଲେ ଏହି ସମୟରେ ପୁଣ ତୁମ୍ଭକୁ ରକ୍ଷା କରିବେ ନିଶ୍ଚେ ନାରାୟଣ।
ଧର୍ମ ପ୍ରଭାବ ରେ ତୁମେ କଷ୍ଟ ନପାଇବ ମନ ନିର୍ମଳରେ ଯାଇ ବୈକୁଣ୍ଠେ ବସିବ।
----------------------------00000000----------------------
------ଗୀତା ରତ୍ନ----
ଓଁ
ତତ୍ ସତ୍
ଜୟ ଶ୍ରୀ ଜଗନ୍ନାଥ
ପ୍ରାର୍ଥନା
ରାଗ-ରାମକେରୀ
ଜୟ ଜୟ ଜଗନ୍ନାଥ ହେ ଜଗତ କରତା ଜଗତ ପ୍ରାଣୀଙ୍କୁ ଏୈଶ୍ୱର୍ଯ୍ୟ ସୁଖ ସମ୍ଭୋଗ ଦାତା।
ଜଗତର ସୁଖ ପାଇଁକି ସଦା ଚିନ୍ତା ତୁମ୍ଭର ନୂଆ ନୂଆ ଖେଳ ରଚୁଛ ଖେଳ ପ୍ରିୟ ସଂସାର।
ଅଧିକ ସୁଖରେ ରହିବେ ପ୍ରାଣୀ ଚିନ୍ତାକୁ କଲ ବିଜ୍ଞାନ ଶିକ୍ଷାକୁ ମାନବେ ଆଣି ସମର୍ପି ଦେଲ।
ବିଜ୍ଞାନ ବଳରେ ମାନବ ଆଜି ଉର୍ଦ୍ଧ୍ୱେ ଉଠୁଛି ଗଭୀର ସାଗର ତଳକୁ ପୁଣି ଯାଇ ପାରୁଛି।
ଅଳପ ସମୟ ମଧ୍ୟରେ ପୃଥ୍ୱୀ ଚତୁଃପାର୍ଶ୍ୱରେ ବୁଲି ଆସୁଅଛି ଯାନରେ ଅତି ମନ ଖୁସିରେ।
ଯାନ ବାହାନର ପ୍ରଗତି ବେଳୁ ବେଳ ବଢୁଛି। ବିରାଟ ପୃଥିବୀ ଏବେତ କେଡ଼େ ଛୋଟ ହେଉଛି।
ଅନ୍ତରୀକ୍ଷେ ଆଜି ଚାଲିଛି ବିଜ୍ଞାନର ପରୀକ୍ଷା କ୍ଷେପଣାସ୍ତ୍ର- ମାନ ଛାଡନ୍ତି ପ୍ରଭୁ କରିବ ରକ୍ଷା।
ଦ୍ୟୁ ଲୋକକୁ ଏବେ ଯିବାକୁ ମନ ସ୍ଥିର କରିଣ ରକେଟ ସାହାଯ୍ୟ ପଠାନ୍ତି ସେହୁ ଶୂନ୍ୟକୁ ଯାନ।
ଚନ୍ଦ୍ର ଲୋକ ଯାଇ ଫେରିଲେ ପୁଣି ଯିବେ ମଙ୍ଗଳେ। ଗ୍ରହ ଗ୍ରହାନ୍ତର ବୁଲିବେ ଏହା ମନରେ ଭାଳେ।
ଆହାର ବିହାର ଶୟନ ସବୁ ଉଚ୍ଚ କୋଟୀର କରିଥିଲେ ମଧ୍ୟ ସନ୍ତୋଷ ମନେ ନାହିଁ ତାଙ୍କର।
ଶୀତ ତାପ ନିୟନ୍ତ୍ରିତ ଯେ ନିଜ ଆବାସ ଗୋଟି ପୁଣି ତାଙ୍କ ଯାନ ସେପରି ସେହି ଯନ୍ତ୍ର କରେଟି।
ଖେଳିବାରେ ମନ ଦେଇଣ ନାନା କ୍ରୀଡା ରଚିଲେ ଦେଖିବାରେ ମନ ଆନନ୍ଦ ଦୂର ଦର୍ଶନ କଲେ।
ଦୂର ଶ୍ରବଣ ତ ହୋଇଛି କେଉଁ ଦ୍ରବ୍ୟ ଅଭାବ ତଥାପି ମନରେ ସନ୍ତୋଷ ନାହିଁ ପ୍ରସନ୍ନ ଭାବ।
କୃଷି ବାଣିଜ୍ୟ ଓ ଶିଳ୍ପରେ ବହୁ ଉନ୍ନତ୍ତି ହେଲା ତେବେ ମନ ତାଙ୍କ ସନ୍ତୁଷ୍ଟ ସେଥିରେ ତ ନହେଲା।
ଅଳ୍ପ ସମୟରେ ଗମନ ଦୂର ସ୍ଥାନ ଭ୍ରମଣ ବେଶ ଭୂଷାରେ ତ ଟପିଛି ସ୍ୱର୍ଗ ବିଭୂତି ମାନ।
ତେବେ କାହିଁପାଇଁ ଶାନ୍ତିକୁ ଲୋକେ ପାଉ ନାହାନ୍ତି ଶାନ୍ତି ପାଇବାକୁ ବ୍ୟାକୁଳ ଶାନ୍ତି କାହିଁ ନ ପାନ୍ତି।
ମନ କରୁଛନ୍ତି ସମଗ୍ର ପୃଥିବୀରେ ସମ୍ରାଟ ହୋଇ ଆମ୍ଭେ ରାଜ୍ୟ ପାଳିବୁ ନଥିବଟି ସଙ୍କଟ।
ସେଥିପାଇଁ ଯୁଦ୍ଧେ ପ୍ରସ୍ତୁତ ଆଜି ସକଳ ରାଜ୍ୟ ନୂଆ ନୂଆ ଶସ୍ତ୍ର ଗଢନ୍ତି କରିବାକୁ ସାମ୍ରାଜ୍ୟ।
ଇର୍ଷା ଦ୍ୱେଷ ମନେ ଥିବାରୁ ଆଜି ନ ମିଳେ ଶାନ୍ତି ତାକୁ ତ୍ୟାଗ କଲେ ନିକଟେ ଆସି ମିଳିବ ଶାନ୍ତି।
ଆହେ ଜଗନ୍ନାଥ କରୁଛି ତୁମ ପାଶେ ଗୁହାରୀ ଅଜ୍ଞାନ ନାଶିବ ଜଗତ ବାସୀଙ୍କର ସବୁରି।
ତେବେ ଯାଇ ଶାନ୍ତି ପାଇବେ ଏହି ଜଗତ ଜନ ସେଥିପାଇଁ ଉପଦେଶ ତ ଦେଇଅଛ ଅର୍ଜୁନ।
ଦ୍ୟୁଲୋକରେ ଶାନ୍ତି ରହିବ ଶାନ୍ତି ଅନ୍ତରୀକ୍ଷରେ ପୃଥିବୀରେ ଶାନ୍ତି ହୋଇବ ଶାନ୍ତି ରହୁ ସାଗରେ।
ଓୌଷଧରେ ଶାନ୍ତି ବିରାଜୁ ବନସ୍ପତିର ଶାନ୍ତି ବିଶ୍ସେଦେବା ଶାନ୍ତି ରହନ୍ତୁ ବ୍ରହ୍ମ ହୁଅନ୍ତୁ ଶାନ୍ତି।
ସର୍ବ ଶାନ୍ତି ମିଳୁ ପ୍ରାଣୀଙ୍କୁ ପ୍ରାଣୀ କଷ୍ଟ ନ ପାନ୍ତୁ ଏହି ଆର୍ଶୀବାଦ ପ୍ରଭୁହେ ସଦାକାଳେ କରନ୍ତୁ।
ଶାନ୍ତି ପାଇଁ ଆତ୍ମ ଜ୍ଞାନକୁ ପ୍ରଭୁ ପ୍ରଦାନ କର ଯାହା ପାଇଁ ଲୋକେ ଶାନ୍ତିରେ ବାସ କରୁ ସଂସାର।
----------------------------------------000000----------------------------------------------
ଭୂମିକା
ଜୟ ଜୟ ଜଗନ୍ନାଥ ଜଗତର ନାଥ ତୁମ୍ଭ ପାଦ ପଦ୍ମେ ଲୋଟୁ ସଦା ମୋର ମାଥ।
କିପରି ପୂଜିବି ପ୍ରଭୁ କିବା ଲୋଡା ତୋର କି ସେବା କରି ସନ୍ତୋଷ କରିବି ମୁଁ ଛାର।
ବହୁ ବହୁ ଜନ୍ମ ବିତି ଯାଇଛି ମୋହରି ତୁମ୍ଭଙ୍କୁ ସନ୍ତୋଷ ମୁହିଁ ନ ପାରିଛି କରି ।
କେଉଁ ଜନ୍ମ ପୁଣ୍ୟ ଫଳେ ଏହି ଜନମରେ କପଟ ରୂପେ ଭଜିଲି ତୁମ୍ଭ ଶ୍ରୀପୟରେ।
ଫଳ ଆଶା କରି ନିତ୍ୟ ଭଜିଲି ତୁମ୍ଭଙ୍କୁ ଦୟାକରି ଯାଚି ଦେଲ ଅଭୟ ବରକୁ।
ଗଳ୍ପ,ଶାସ୍ତ୍ର,ପୁରାଣ ମୁଁ ପଢିଲି ଅନେକ ଗୀତା ଶାସ୍ତ୍ର ପଢି ଶିକ୍ଷା ପାଇଲା ବିବେକ।
ଫଳ ତ୍ୟାଗ କରି କର୍ମ କିପରି କରିବ ଉତ୍ତମ ରୂପେ ଗୀତାରେ ରହିଛି ଏ ପର୍ବ।
ସକାମ ନିଷ୍କାମ ଭକ୍ତି କରିବ କିପରି ସଗୁଣ ନିର୍ଗୁଣ ବ୍ରହ୍ମ ଚିହ୍ନିବ ଯେପରି।
ଶ୍ରେୟ ପ୍ରେୟ, ପନ୍ଥା ଦୁଇ କିପରି ଜାଣିବ ଜ୍ଞାନ ଅଜ୍ଞାନର ଫଳ ଯେପରି ବାରିବ।
କର୍ମ ଆଉ କର୍ମ ତ୍ୟାଗ କଲେ କିବା ହୁଏ ଯୋଗୀ ଆଉ ସନ୍ନ୍ୟାସୀର ଭାବକୁ ବୁଝାଏ।
ରାଗ ଦ୍ୱେଷ କର୍ମ ଫଳ କିପରି ଘଟୁଛି ତାକୁ ତ୍ୟାଗ କଲେ କେଉଁ ଫଳଟି ମିଳୁଛି।
ଜୀବନରେ କିଏ ପ୍ରିୟ,ଅପ୍ରିୟ କିଏ ସେ ଏହାକୁ ବୁଝାଇଛନ୍ତି ଗୀତାରେ ହରଷେ।
ଦୈତ୍ୟ ଅଦୈତ୍ୟ ଜ୍ଞାନକୁ ବୁଝିବ କିପରି ଯେପରି ବୁଝିବ ଅଜ୍ଞ ଲେଖିଛ ବିସ୍ତାରି।
ଦୈବ ଓ ଅସୁର ଭାବ ରହିଛି ଶରୀରେ କିପରି ଚଳିଲେ ଦୈତ୍ୟ ଭାବକୁ ସଂହାରେ।
ମନୁଷ୍ୟର ଯାହା ଲୋଡା ଯେତେବେଳେ ହୁଏ ତାହା ସବୁ କେଉଁ ପ୍ରଭୁ ଯୋଗାଇଣ ଦିଏ।
ଜୀବ ଯାହା ପାଇବାକୁ ଇଚ୍ଛା କରୁଥାଏ କେଉଁ ଶକ୍ତି ତାହା ଆଣି ପହଞ୍ଚାଇ ଦିଏ।
ସଂସାରରେ ଭଲ ମନ୍ଦ ଦୁଇ ଗୋଟି କଥା ସୁଖ ଦୁଃଖ ଭାବେ ଭୋଗ କରୁଛି ସର୍ବଥା।
ଏହି କର୍ମ ଚକ୍ର ମଧ୍ୟୁ ଜୀବର ଉଦ୍ଧାର ସହଜରେ ହୋଇଯିକ ଗୀତାର ଏ ସାର।
ଏପରି ଶାସ୍ତ୍ରକୁ ପଢି ମୁଁ ଆଜି ପବିତ୍ର ମନ ମଧ୍ୟେ ବିଚାରିଲି ଏ ଗୀତା ଚରିତ୍ର।
ସର୍ବଜନ ପାଶେ ଯେବେ ପହଞ୍ଚାଇ ଦେବି ଅବଶ୍ୟ ପିତାଙ୍କ ଇଚ୍ଛା ପୂରଣ କରିବି।
ପ୍ରଭୁଙ୍କ ହୃଦୟ ଅଟେ ଅତ୍ୟନ୍ତ କୋମଳ ସନ୍ତାନଙ୍କ ସୁଖ ପାଇଁ ସେ ଅତି ବ୍ୟାକୁଳ।
ଅର୍ଜ୍ଜୁନଙ୍କ ମାଧ୍ୟମରେ ବହୁ ହିତ କଥା ଜଗତବାସୀଙ୍କ ପାଇଁ ତାଙ୍କ ଶୁଭ ବାର୍ତ୍ତା।
ଗୀତା ଶାସ୍ତ୍ରେ ଲେଖି ଦେଲେ ତାହା ମୁନି ବ୍ୟାସ ଜ୍ଞାନକୁ ପାଇବ ଯେବେ କରିବ ଅଭ୍ୟାସ
କେତେ କେତେ ଜ୍ଞାନୀଜନ ଜନ୍ମିଲେ ମର୍ତ୍ତ୍ୟରେ ଗୀତା ଶାସ୍ତ୍ରକୁ ଲେଖିଲେ ସରଳ ଭାଷାରେ।
ଆଦି ଶଙ୍କରାଚାର୍ଯ୍ୟ ଓ ଗୋସ୍ୱାମୀ ଶ୍ରୀଧର ବିହାରୀଲାଲ,ଆଚାର୍ଯ୍ୟ ବାଳଗଙ୍ଗାଧର।
ନୀଳକଣ୍ଠ,ରତ୍ନାକର,ଶାରଳା ଯେ ଦାସ ବାସୁଦେବଙ୍କର ଲେଖା ସରଳ ସରସ।
ପୃଥିବୀରେ ଦେଶ ଯେତେ ରହିଅଛି ଭାଇ ସମସ୍ତ ଦେଶରେ ଗୀତା ଆଦର ଲଭଇ।
ବିଦେଶୀ ଭାଷାରେ ବହୁ ପଣ୍ଡିତ ପ୍ରବର ଗୀତା ଅନୁବାଦ କରି କରିଲେ ପ୍ରଚାର।
ଗବେଷଣାଗାରେ ନେଇ କରନ୍ତି ତର୍ଜମା ବହୁ ବହୁ ଅର୍ଥ କାଢି ଦେଖାନ୍ତି ବଡିମା।
ପୃଥିବୀ ମଧ୍ୟରେ ଶ୍ରେଷ୍ଠ ଏହି ଗୀତା ଶାସ୍ତ୍ର ତାକୁ ଅଭ୍ୟାସିଲେ ନିଶ୍ଚେ ହୋଇବ ପବିତ୍ର।
ଏପରି ଶାସ୍ତ୍ରକୁ ମୁହିଁ ସରଳ ଭାଷାରେ ଲେଖିବାକୁ ବିଚାରିଲି ଆପଣା ମନରେ।
ଦୁଃସାହସ ଦେଖି ମୋର ହସିବେଟି ଜନେ ସେଥିପାଇଁ ପଦେ କଥା ପଡୁଅଛି ମନେ।
ଅନ୍ଧକାର ରାତି ହେଲେ ଚନ୍ଦ୍ରମା ପ୍ରକାଶେ ଅନ୍ଧକାର ଦୂର ହୁଏ ପ୍ରାଣୀ ଏ ସନ୍ତୋଷେ।
ଖେଳା ଲୀଳା କରୁଥାନ୍ତି ଆନନ୍ଦ ମନରେ ଚନ୍ଦ୍ର ଶୋଭା ନ ପାଆନ୍ତି ଅମା ଅନ୍ଧକାରେ।
ଜୁଳୁଜୁଳା କୀଟ ଗୋଟି ହରଷ ମନରେ ଜୁଳୁ ଜୁଳୁ କରି ତାର ଆଲୋକ ବିସ୍ତାରେ।
ମନରେ ବିଚାର କରେ ଅମା ରଜନୀଟି ମୋର ଆଲୋକରେ ଶୋଭା ପାଉ ଏ ଧରାଟି।
କ୍ଷୁଦ୍ର ହେଲେ କିଶ ହେଲା ମନ ତା ବିରାଟ ମନ ବଳେ ଲଗାଇଛି ରାତି ଯାକ ନାଟ।
ଜ୍ଞାନୀମାନେ ହେଉଛନ୍ତି ଚନ୍ଦ୍ର ତୁଲ୍ୟ ଭାଇ ମୁହିଁ ଅକିଞ୍ଚନ ଜୁଳୁଜୁଳାଟି ଅଟଇ।
ମନ ମୋର ହେଉଅଛି ସମସ୍ତ ଅନ୍ଧାର ଦୂର କରିଦେବି ମାତ୍ର ଶକ୍ତି ନାହିଁ ମୋର।
କେତେ କେତେ ଉପାଧିରେ ଭୁଷିତ ପଣ୍ଡିତେ ନାହିଁ ମୋ ଉପାଧି ଜ୍ଞାନ କହିବି କେମନ୍ତ।
ଉପାଧି ମୋ ନାହିଁ ସିନା ଅଛି ମୋର ମନ ମନ ବଳେ କରିବି ମୁଁ ଏ ଶାସ୍ତ୍ର ପଠନ।
ଯେ ବେଳରେ ଗୀତା ଶାସ୍ତ୍ର ମୋତେ ତ ମଳିଲା ସେତେବେଳେ ଧର୍ମ ଜ୍ଞାନ ମୋର କିଛି ତ ନଥିଲା।
ଶୁଣିଲି କଥାରେ ଅଛି ପଢିବ ଯେ ଗୀତା ଆସୁ ନ ଆସୁ ପଢିଲେ ହେବ ଜଗଦ୍ଜିତା।
ଏ କଥା ଗୋଟିରେ ଭାଇ ମିଥ୍ୟା ନାହିଁ ତିଳେ ନିଷ୍ଠାରେ ପଢିଲେ ଗୀତା ଦେଖିବୁ ତୁ ବଳେ।
ପିଣ୍ଡ ମଧ୍ୟେ ଯାହା ଅଛି ଜଗତେ ତା ଅଛି ପିଣ୍ଡ ଓ ବ୍ରହ୍ମାଣ୍ଡ ଏକ ଶାସ୍ତ୍ର ତ କହୁଛି।
ଗୀତା ଜ୍ଞାନ ଲାଭ ହେଲେ ପିଣ୍ଡକୁ ଜିଣିବୁ ପିଣ୍ଡକୁ ଜିଣିଲେ ଜଗତକୁ ଜିଣି ଯିବୁ।
ଅଜ୍ଞାନ ରୂପି ଅନ୍ଧାର ଘୋଟିଲେ ଜୀବକୁ ଦୁଃଖ କଷ୍ଟ ପାଏ ଜୀବ କହିବ କାହାକୁ।
ଜ୍ଞାନ ରୂପୀ ସୁର୍ଯ୍ୟ ଯେବେ ଉଦୟ ହୋଇବ ଅଜ୍ଞାନ ଅନ୍ଧକାର ତା ହୃଦୁ ଲୋପ ହେବ।
ଶ୍ରୀ ଜଗନ୍ନାଥଙ୍କୁ ହୃଦେ ଧ୍ୟାନ କରି ବାବୁ ଗୀତାକୁ ପଢିଲେ ଅର୍ଥ ବୁଝି ତୁ ପାରିବୁ।
ଭାଷା ଜ୍ଞାନ ନଥିବାରୁ ଲେଖା ବଙ୍କା ଟଙ୍କା ଭାବ ଥିବାରୁ ସେଥିକି ନାହିଁ ମୋର ଶଙ୍କା।
ଯେ ଯାହା କହିବ କହୁ ସହିଯିବି ସବୁ ଏକା ଭାବ ବୁଝିଗଲେ ପାଇଲି ମୁଁ ସବୁ।
ଭାବକୁ ନିକଟ ହରି ଅଭାବକୁ ଦୂର ଭକ୍ତିରେ ହରି ମିଳନ୍ତି ସେ ଦୟା ସାଗର।
ସମସ୍ତ ବିଶ୍ୱଜନଙ୍କୁ ମୋର ନିବେଦନ ଗୀତା ଶାସ୍ତ୍ର ଗୋଟି ପଢ ଆନନ୍ଦ ହୋଇଣ।
ମୂଳ ଲେଖା ପଢ କିମ୍ବା ଭାଷ୍ୟ ଆଣି ପଢ ନିଷ୍ଠାରେ ପଢିଲେ ନିଶ୍ଚେ ଭକ୍ତି ହେବ ଗାଢ
ଭକ୍ତି ଗାଢ ହେଲେ ତୁମ୍ଭେ ପ୍ରଭୁଙ୍କୁ ଲଭିବ ଅଜ୍ଞାନ ଅନ୍ଧକାରରୁ ନିଶ୍ଚେ ମୁକ୍ତ ହେବ।
ଆପଣ ଚାହାନ୍ତି ସୁଖ ସମ୍ପଦ ଲଭିବା ସ୍ଥାୟୀ ଶାନ୍ତି,ଅମରତ୍ୱ ଆଉକିଛି ଅବା।
ଯାହା ତୁମେ ଚାହୁଁଅଛ ତାହାତ ପାଇବ ସକାମ ଭାବରେ ଯାଇ ନିଷ୍କାମ ଭେଟିବ।
ଧ୍ରୁବ ଯାଇଥିଲେ ରାଜ୍ୟେ ରାଜା ହେବାପାଇଁ ତପସ୍ୟା ବଳରେ ଦେଖା ଦେଲେ ପ୍ରଭୁ ଯାଇ।
ବରମାଗ ବୋଲି କହିଦେଲେ ନାରାୟଣ ମୁଖକୁ ଚାହିଁଣ ଧ୍ରୁବ କି କହିଲେ ଶୁଣ।
ଅଭିମାନେ ବସିଥିଲି ରାଜ୍ୟ ଧନ ପାଇଁ ତୁମ୍ଭର ଦର୍ଶନେ ଶାନ୍ତି ଲଭିଲି ଗୋସାଇଁ।
ରାଜ୍ୟ ଧନ ଲୋଡା ନାହିଁ ଲୋଡା ମୋ ଦର୍ଶନ ଯେତେ ଦିନ ବଞ୍ଚିଥିବି ପଦେ ରହୁ ଧ୍ୟାନ।
କେତେ ଆଶା ନେଇ ତୁମ୍ଭେ ଗୀତାକୁ ପଢିବ ଜ୍ଞାନ ଲାଭ ହେଲେ ଆଉ ଆଶା ନ ରହିବ।
ଫଳ ଆଶା ତ୍ୟାଗ ହେଲେ କାମନା ନ ରହେ କାମନା ଶୂନ୍ୟ ରେ ଜୀବ ମୁକ୍ତ ହୋଇଯାଏ।
ଜୀବଥିବା କାଳେ ଜୀବ ଜୀବନ୍ମୁକ୍ତ ହେବ ଏହାଠାରୁ ବଡ ଲାଭ ଜୀବ କି ପାଇବ।
ଜୀବର ପରମ ଲକ୍ଷ ଅଖଣ୍ଡିତ ଶାନ୍ତି ତାହା ମିଳିଗଲେ କିମ୍ପା ହୋଇବ ଅଶାନ୍ତି।
ସଚ୍ଚିଦାନନ୍ଦ ବ୍ରହ୍ମଙ୍କୁ ଅଚିରେ ଭେଟିବ ଅକିଞ୍ଚନ କଥାପାଳି ବ୍ରହ୍ମେ କର ଭାବ।
-----------------------------------0000000---------------------------------------
ସୂଚୀପତ୍ର
ବିଷୟ
ସ୍ତବ
ପ୍ରଥମ ଅଧ୍ୟାୟ----ବିଷାଦ ଯୋଗ
ଦ୍ୱିତୀୟ ଅଧ୍ୟାୟ-----ସଙ୍ଖ୍ୟା ଯୋଗ
ତୃତୀୟ ଅଧ୍ୟାୟ---- କର୍ମ ଯୋଗ
ଚତୁର୍ଥ ଅଧ୍ୟାୟ----କର୍ମ- ଜ୍ଞାନ -ଯୋଗ
ପଞ୍ଚମ ଅଧ୍ୟାୟ---- କର୍ମ ସନ୍ନ୍ୟାସ ଯୋଗ
ଷଷ୍ଟ ଅଧ୍ୟାୟ-----ଧ୍ୟାନ ଯୋଗ
ସପ୍ତମ ଅଧ୍ୟାୟ---ଜ୍ଞାନ-ବିଜ୍ଞାନ ଯୋଗ
ଅଷ୍ଟମ ଅଧ୍ୟାୟ---ଅକ୍ଷର ବ୍ରହ୍ମ ଯୋଗ
ନବମ ଅଧ୍ୟାୟ---ରାଜ ବିଦ୍ୟା-ରାଜଗୁହ୍ୟ ଯୋଗ
ଦଶମ ଅଧ୍ୟାୟ---ବିଭୂତି ଯୋଗ
ଏକାଦଶ ଅଧ୍ୟାୟ—ବିଶ୍ୱରୂପ ଦର୍ଶନ ଯୋଗ
ଦ୍ୱାଦଶ ଅଧ୍ୟାୟ-----ଭକ୍ତି ଯୋଗ
ତ୍ରୟୋଦଶ ଅଧ୍ୟାୟ---କ୍ଷେତ୍ର କ୍ଷେତ୍ରଜ୍ଞ ବିଭାଗ ଯୋଗ
ଚର୍ତୁଦଶ ଅଧ୍ୟାୟ----ଗୁଣତ୍ରୟ ବିଭାଗ ଯୋଗ
ପଞ୍ଚଦଶ ଅଧ୍ୟାୟ---ପୁରୁଷୋତ୍ତମ ଯୋଗ
ଷୋଡଶ ଅଧ୍ୟାୟ—ଦୈବାସୁର ସମ୍ପଦ ବିଭାଗ ଯୋଗ
ସପ୍ତଦଶ ଅଧ୍ୟାୟ---ଶ୍ରଦ୍ଧାତ୍ରୟ ବିଭାଗ ଯୋଗ
ଅଷ୍ଟାଦଶ ଅଧ୍ୟାୟ—ମୋକ୍ଷ ଯୋଗ
ଗୀତା ପାଠକମାନଙ୍କ ପ୍ରତି
କୃତଜ୍ଞତା
ସମର୍ପଣ
ଓଁ
ତତ୍ ସତ୍
ଜୟ ଶ୍ରୀ ଜଗନ୍ନାଥ
ସ୍ତବ
ରାଗ –ଶଙ୍କରା ଭରଣ
ଶ୍ରୀ ଜଗନ୍ନାଥ ପାର୍ଥଙ୍କୁ ପାର୍ଶ୍ୱରେ ବସାଇ ଶ୍ରୀମୁଖୁ ଭାଷିଲେ ବାଣୀ ଗଦଗଦ ହୋଇ
ବ୍ୟାସ ତାହାକୁ ଲେଖିଲେ
ଭାରତ ମହାପୂରାଣେ ତାହାକୁ ଗୁନ୍ଥିଲେ ଅଦୈତାମୃତ ଧାରାସେ ଭବ ବନ୍ଧ ନାଶେ।
ଅଷ୍ଟାଦଶ ଅଧ୍ୟାୟରେ ସେ ତତ୍ତ୍ୱ ପ୍ରକାଶେ
ଧନ୍ୟ ମହିମା ତୁମ୍ଭର
ମୁକ୍ତି ପଥେ ହୋଇଅଛ ବିପୁଳ ସମ୍ଭାର । ହେ ପରାସର ନନ୍ଦନ ଧନ୍ୟ ତୁମ୍ଭ ଜ୍ଞାନ
ପଦେ ତୁମ୍ଭ ପ୍ରଣିପାତ କରୁଛି ଅଜ୍ଞାନ
ଅଜ୍ଞାନରେ କୃପାକରି
ଜ୍ଞାନ ଦୀପକୁ ଜାଳିଲ ତତ୍ତ୍ୱ ତୈଳ ଭରି। ପତିତ ପାବନ ହରି ଜ୍ଞାନ ଛାଟ ଧରି।
ଉଭା ହୋଇଅଛ କୃଷ୍ଣ ଜଗତ ଆବୋରି
ଗୀତା ମୃତକୁ ଦୁହିଁଛ
ଭକତ ପ୍ରେମରେ ପ୍ରଭୁ ମଜ୍ଜିଣ ଯାଇଛ ସକଳ ଉପନିଷଦ ଦୁଗ୍ଧବତୀ ଗାଭୀ
ଗୋପାଳ ନନ୍ଦନ କୁଷ୍ଣ ତାଙ୍କ ପାଦ ଛନ୍ଦି
ବ ତ୍ସା ପାର୍ଥକୁ କରିଣ
ଦୁଗ୍ଧ ଦୁହିଁ ଭକ୍ତ ଗଣେ କରନ୍ତି ପ୍ରଦାନ ଇପନିଷଦର ସାର କରିଲେ ବାହାର
ସୁଧିବୃନ୍ଦ ତାହା ପାଇ ଭବୁ ହେଲେ ପାର
ନମେ ଶ୍ରୀକୃଷ୍ଣ ଚରଣ
ତୁମ୍ଭ ଆର୍ଶୀବାଦେ ଯାଉ ମାହର ଅଜ୍ଞାନ । ବସୁଦେବ ସୁତ କୃଷ୍ଣ ଚାଣୁର ମର୍ଦ୍ଦନ
କଂସ ନାଶି ଦେବକୀର କଷ୍ଟ ଉଦ୍ଧାରିଣ
ହେଲ ଜଗତର ଗୁରୁ
ନମେ ପଦେ ନମୁଥାଏ ଭକ୍ତ କଳ୍ପତରୁ ଭୀଷ୍ମ ଦ୍ରୋଣ ତଟ ତାର ଜୟଦ୍ରଥ ଜଳ
ଗାନ୍ଧାରତ ଫୁଟିଛନ୍ତି ତହିଁ ନିଳୋତ୍ପଳ
ଶୈଲ୍ୟ ଗ୍ରାହ କୃପ ନାବ
କର୍ଣ୍ଣ ଯୋଗୁଁ ବେଳା ବଢି ହୃଦ କମ୍ପ ହେବ। ଅଶ୍ୱତ୍ଥାମା ବିକର୍ଣ୍ଣତ ଭୀଷଣ ମକର
ଦୁର୍ଯ୍ୟଧନ ଆବର୍ତ୍ତରେ ମହା ଭୟଙ୍କର
ମହା ସମର ବନ୍ୟାର
କଲେ କୃଷ୍ଣ କୈବର୍ତ୍ତକ ପାଣ୍ଡବେ ଉଦ୍ଧାର। ପରାଶର ସୁତ କଥା ପଦ୍ମ ପୁଷ୍ପ ଯଥା
ବିମଳ ସୁଗନ୍ଧ ଭରେ ଚହଟୁଛି ତଥା
ନାନା ଆଖ୍ୟାନ କେଶର
ପୁଣ୍ୟ ହରି କଥା ସାର ,ରହିଛି ଭିତର। ସାଧକ ସଜ୍ଜନ ଗଣ ,ମଧୁମକ୍ଷୀ ଜାଣ।
ନିରନ୍ତର ପାନେ ରତ ହୋଇଣ କୃପଣ
ଧନ୍ୟ ଭାରତ ପଙ୍କଜ
କଳିମଳ ବିଧ୍ୱଂସିନୀ ବିଶ୍ୱ ହିତେ ହେଜ ମୂକକୁ କର ବାଚାଳ ପ୍ରଭୁ ଚକ୍ରଧର
ପଙ୍ଗୁ ଲଙ୍ଘେ ଗିରିବର କୃପାରେ ତୁମ୍ଭର
ହୁଏ ଅଦ୍ଭୁତ ଘଟନ
ହେ ପରମାନନ୍ଦ ପାଦ,କରେ ମୁଁ ବନ୍ଦନ । ବ୍ରହ୍ମା ବରୁଣେନ୍ଦ୍ର ରୁଦ୍ର,ମରୁତାଦି ଦେବ
ଦିବ୍ୟ ବେଦ ପଦେ ସ୍ତବ,କରୁଛନ୍ତି ଦେବ
ସାମଗାଦି ବେଦ ସର୍ବ
ଉପନିଷଦ କ୍ରମରେ ଗାଆନ୍ତି ସ ଗର୍ବ ଧ୍ୟାନ ସ୍ଥିତ ଯୋଗୀଜନ ମାନସେ ଦର୍ଶନ
କରନ୍ତି ଯାହାକୁ ଦେବ ସୁରାସୁର ଗଣ
ନ ପାଆନ୍ତି ତାଙ୍କ ଅନ୍ତ
ସେହି ବନ୍ଦନୀୟ ପଦେ,ନମୁଛି ସନ୍ତତ।
ଶ୍ରୀମଦ୍ଭଗବଦ୍ ଗୀତା
ପ୍ରଥମ ଅଧ୍ୟାୟ
ଅର୍ଜ୍ଜୁନ –ବିଷାଦ ଯୋଗ
ରାଗ-ଚୋଖି
ଧୃତରାଷ୍ଟ୍ର ସଞ୍ଜୟଙ୍କୁ ,ପାଶ କୁ ଡାକି ତାହାଙ୍କୁ, କହିଲେ ମୋ ସୁତେ ଗଲେ ପାଣ୍ଡବ ସଙ୍ଗେ
ଯୁଦ୍ଧ ଅର୍ଥେ ଯାଇଥିଲେ,ସେଠାରେ କି କାର୍ଯ୍ୟ କଲେ ସହଜେ ସେ କୁରୁକ୍ଷେତ୍ର ଜାଣ ସରବେ।
ଧର୍ମ କ୍ଷେତ୍ର ଅଟଇ ସେହି ପୁଣ୍ୟ ଭୂମି ନାମ ତାର ରହିଛି ବିହି।।
ସଞ୍ଜୟ ଉତ୍ତର ଦେଲେ,ଶୁଣ ଧୃତରାଷ୍ଟ୍ର ଭଲେ ପାଣ୍ଡବଙ୍କ ସୈନ୍ୟ ସଜ୍ଜା ଯୁଦ୍ଧ କୌଶଳ
ଦୁର୍ଯ୍ୟୋଧନ ଯା ଦେଖିଲେ ମନେ ସ୍ତମ୍ଭୀଭୂତ ହେଲେ ଗୁରୁ ଦ୍ରୋଣ ପାଶେ ଯାଇ ବ୍ୟସ୍ତେ କହିଲେ।
ଦେଖ ଏହି ବିଶାଳ ବଳ। ତୁମ ଶିଷ୍ୟ ଧୃଷ୍ଟଦ୍ୟୁମ୍ନ ବୁଦ୍ଧି କୌଶଳ।
ଭୀର୍ଜ୍ଜୁମାନ ସମଯୋଦ୍ଧା,ସାତ୍ୟକୀ ବିରାଟ ରାଜା ମହାରଥ ଦ୍ରୁପଦଙ୍କ ପରି ସମାନ।
ଧୃଷ୍ଟକେତୁ,ଚେକିତାନ ,କାଶୀରାଜ ବୀର୍ଯବାନ। ନରଶ୍ରେଷ୍ଠ ଶୈବ,ପୁରୁଜିତ ରାଜନ
କୁନ୍ତିଭୋଜ,ସୁଭଦ୍ରା ପୁତ୍ର ଯୁଧାମନ୍ୟୁ,ଉତ୍ତମୈାଜା,ଦ୍ରୌପଦୀ ସୁତ ।
ଶୁଣିବାହେ ଦ୍ୱିଜ ଶ୍ରେଷ୍ଠ ,ଆମ୍ଭ ସେନାରେ ବରିଷ୍ଠ ସେନାପତି ଯେଉଁମାନେ ରହି ଅଛନ୍ତି।
ସେହି ମାନଙ୍କର ନାମ କହୁଛି କର ଶ୍ରବଣ।
ଆପଣ ତ ନିଜେ ଦ୍ରୋଣାଚାର୍ଯ୍ୟ ଅଟନ୍ତି, କୃପାଚାର୍ଯ୍ୟ ସେ ଅଶ୍ୱତ୍ଥାମା।
ଭୂରିଶ୍ରବା,ଜୟଦ୍ରଥ,ଅଛି ବିକର୍ଣ୍ଣ। ମୋ ପାଇଁ କେତେ ଯେ ବୀର ଧରି ଶସ୍ତ୍ର ଧନୁଶର
ପ୍ରାଣ ଦେବାପାଇଁ ଯୁଦ୍ଧେ ଆସି ଅଛନ୍ତି
ଭୀଷ୍ମଙ୍କ ଦ୍ୱାରା ରକ୍ଷିତ ଅପର୍ଯାପ୍ତ ବଳ ସେତ
ତଥାପି ସେ ଅସମର୍ଥ ମନେ ଭାବନ୍ତି
କିନ୍ତୁ ଭୀମ ରକ୍ଷିତ ସେନା ସମରେ ସମର୍ଥ ବୋଲି ଭାବୁଛି ସିନା
ବ୍ୟୁହ ଦ୍ୱାରେ ରହି ଯୋଦ୍ଧା,ଶତ୍ରୁଙ୍କୁ ଦିଅନ୍ତୁ ବାଧା
ନିଜ ନିଜ କର୍ତ୍ତବ୍ୟରେ ତୃଟି ନ କରି
ବିଭାଗରେ ସ୍ଥିତ ରହି ସର୍ବ ଦିଗେ ଦୃଷ୍ଟି ଦେଇ
ସର୍ବତୋ ଭାବରେ ଭୀଷ୍ମଙ୍କୁ ରକ୍ଷା କରି
ଯଶ ରକ୍ଷା କରନ୍ତୁ ମୋର ଆପଣଙ୍କ ପାଶେ ନିବେଦନ ମୋହର
କୁଳ ବୃଦ୍ଧ ପିତାମହ,ସ୍ନେହେ ବଶ ହୋଇ ମୋହ ଦୁର୍ଯୋଧନ ହର୍ଷ ପାଇଁ ରଣ ହୁଙ୍କାର।
ଉଚ୍ଚେ ସିଂହ ନାଦ କରି ହସ୍ତରେ ଶଙ୍ଖକୁ ଧରି ଗାଢରେ ବଜାନ୍ତି ଶକ୍ତି ଯେତେ ତାଙ୍କର।
ଶବ୍ଦ ଶୁଭେ ସମର ଭୂଇଁ ଶଙ୍ଖ ଧ୍ୱନି ସିହ ନାଦେ କମ୍ପଇ ମହୀ
ଭୀଷ୍ମ ଶଙ୍ଖ ନାଦ ଶୁଣି ଗର୍ଜି ଉଠେ ବାଦ୍ୟ ଶ୍ରେଣୀ
ଶଙ୍ଖ, ଭେରୀ,ମୃଦଙ୍ଗ,ନାଗରା ବାଜୁଛି ଶିଙ୍ଘା ବାଦ୍ୟ ଶବ୍ଦ ଦ୍ୱାରା ,କମ୍ପିଉଠେ ବସୁନ୍ଧରା
ଶ୍ୱେତ ଅଶ୍ୱଯୁକ୍ତ ନନ୍ଦିଘୋଷ ରହିଛି
ତହିଁ ପରେ ହରି ଅର୍ଜ୍ଜୁନ ଦିବ୍ୟ ଶଙ୍ଖ ବଜାଇଲେ ସେ ଘନ ଘନ
କୃଷ୍ଣ ପାଞ୍ଚଦନ୍ୟ ଶଙ୍ଖ,ଧନଞ୍ଜୟ ଦେବଦତ୍ତ
ଭୀମକର୍ମା ଭୀମ ପୌଣ୍ଡ୍ର ଶଙ୍ଖ ବଜାଇ
ଅନନ୍ତ ବିଜୟ ଶଙ୍ଖ ବଜାଇଲେ ଯୁଧିଷ୍ଠିର
ନକୁଳ ସୁଘୋଷ ଶଙ୍ଖ ଦେଲେ ବଜାଇ
ସହଦେବ ରହିଣ ଥିଲେ,ମଣିପୁଷ୍ପକ ଶଙ୍ଖକୁ ବଜାଇ ଦେଲେ।
ପରାକ୍ରମୀ କାଶୀରାଜ,ଶୀଖଣ୍ଡୀ, ବିରାଟ ରାଜ, ।
ଧୃଷ୍ଟଦ୍ୟୁମ୍ନ,ସାତ୍ୟକୀଙ୍କ ଶଙ୍ଖ ବଜାଇ।
ଦ୍ରୁପଦ ଦ୍ରୌପଦୀଙ୍କ ସୁତେ ଅଭିମନ୍ୟୁଙ୍କ ସହିତେ
ଭିନ୍ନ ଭିନ୍ନ ଶଙ୍ଖ ସବୁ ଦେଲେ ବଜାଇ ।
ଶଙ୍ଖ ନାଦେ ଆକାଶ କମ୍ପି ଉଠିବାରୁ ଦୁର୍ଯୋଧନ ହୃଦୟ କମ୍ପି ।
କୌରବେ ରଣେ ପ୍ରସ୍ତୁତ ହୋଇଣ ଉଦ୍ଯୋଗୀ କୃତ।
ଦେଖିଣ ଅର୍ଜ୍ଜୁନ ଧନୁ ତୋଳି ଯତନେ।
କହିଲେ ଶୁଣ ଅଚ୍ୟୁତ,ଦୁଇ ସୈନ୍ୟ ମଧ୍ୟେ ସ୍ଥିତ
ରଖନ୍ତୁ ରଥକୁ ମୋର ହରଷ ମନେ
ଦେଖି ନିଏ ଏହି ଯୁଦ୍ଧରେ, କାହା କାହା ପ୍ରତି ଯୋଦ୍ଧା ହେବି ଏଥିରେ।
ଅର୍ଜ୍ଜୁନ କହିଲେ କୃଷ୍ଣ ,ରଥକୁ ରଖ ଆପଣ
ମନବୋଧ କରି ଦେଖି ନିଏ ସୈନ୍ୟଙ୍କୁ
ଖଳ ବୁଦ୍ଧି ଦୁର୍ଯ୍ୟୋଧନ ହିତ ପାଇଁ କେତେ ଜଣ
ରାଜା ଧାଇଁ ଆସିଛନ୍ତି ଦେଖିବି ତାଙ୍କୁ
ସେ ପର୍ଯନ୍ତ ରଖିବ ରଥ,ଦେଖି ସାରିଲେ ପୁରିବ ମୋ ମନୋରଥ ।
ସଞ୍ଜୟ କହିଲେ ଶୁଣ ଧୃତରାଷ୍ଟ୍ର ନୃପରାଣ
ପାର୍ଥଙ୍କ ବଚନେ ହରି ରଥକୁ ଆଣି
ଉଭୟ ସେନା ମଧ୍ୟରେ ରଖିଲେ ଅତି ଯତ୍ନରେ
କପିଧ୍ୱଜ ରଥ ଗୋଟି ରଥଙ୍କ ମଣି
କହିଲେ ତୁ ଦେଖରେ ପାର୍ଥ,ଭୀଷ୍ମ,ଦ୍ରୋଣ କୁରୁବଳ ଶକ୍ତି ସାମର୍ଥ୍ୟ ।
ତହିଁ ଦେଖିଲେ ଅର୍ଜ୍ଜୁନ,ପିତୃ କଳ୍ପ ମାନ୍ୟଜନ
ପିତୃ,ପିତାମହ,ଗୁରୁ,ମାତୁଳ,ଭାତୃ
ପୁତ୍ର,ପୌତ୍ର,ମିତ୍ରଗଣ ସମସ୍ତଙ୍କର ମିଳଣ
ଏକଠାବ ହୋଇଛନ୍ତି ସମସ୍ତ ଶତ୍ରୁ
ସେମାନଙ୍କ ସଙ୍ଗେ ଯୁଝିବି,ଯୁଦ୍ଧ କଲେ କେଉଁଫଳ ଅବା ପାଇବି।
ଅର୍ଜ୍ଜୁନ ଦେଖିଲେ ସର୍ବ ବନ୍ଧୁ ମାନଙ୍କର ଗର୍ବ
ଯୁଦ୍ଧପାଇଁ ଏକତ୍ରିତ ହୋଇ ଅଛନ୍ତି
ସକଳ ବନ୍ଧୁଙ୍କୁ ଦେଖି ମନ ତାଙ୍କ ଗଲା ଶୁଖି
କୃପା ବିଗଳିତ ହୋଇ କହୁ ଅଛନ୍ତି
ଅତିଶୟ ବିଷାଦ ବାଣୀ, ଅର୍ଜ୍ଜୁନ କହିଲେ କୃଷ୍ଣ ପାରୁନି ଜାଣି।
ଯୁଦ୍ଧକୁ ପ୍ରସ୍ତୁତ ଥିଲି,ଆପଣା ଲୋକ ଦେଖିଲି
ହସ୍ତ ପଦ ନ ଚଳୁଛି,ମନ ମନ୍ଥୁଛି।
ଶୁଷ୍କ ହୁଅଇ ବଦନ,ହୃଦ କମ୍ପେ ଘନ ଘନ
କଣ୍ଟକିତ ଲୋମାବଳୀ ଦେହ ଥରୁଛି,ଗାଣ୍ଡିବ ମୋ ହସ୍ତୁ ଖସୁଛି।
ଦେହ ଗୋଟାଯାକ ମୋର ଜଳି ଯାଉଛି
ଠିଆ ହେବାକୁ ମୋ ଶକ୍ତି ନଥିବାରୁ ମୁଁ ବିରକ୍ତି।
ହେବାରୁ ମୋ ମନ ଆଜି ହେଉଛି ଭ୍ରମ
ହେ କୃଷ୍ଣ, ମୋ କଥା ଶୁଣ ସବୁ ଦିଶେ ଅଘଟନ
ସ୍ୱଜନ ବଧିଣ ଶାନ୍ତି ନ ହେବ ମୋ ମନ
ନ ଲୋଡେ ମୁଁ ରାଜ୍ୟ ସମ୍ବଳ,ନଚାହେଁ ବିଜୟ ଲୋଡେ ଶାନ୍ତି କେବଳ।
କି ହେବ ରାଜ୍ୟେ ଗୋବିନ୍ଦ,ମୋତେ ତ ଦିଶୁଛି ମନ୍ଦ।
ରାଜ୍ୟ ଜୟ ସୁଖ ଇଚ୍ଛା ମୁଁ କରୁନାହିଁ
ସୁଖ ଭୋଗେ ପ୍ରୟୋଜନ,ଦେହେ ଥିଲେତ ଜୀବନ
ଜୀବନ ରଖିବା ଇଚ୍ଛା ମୋହର ନାହିଁ
ଜୀବନ ମୁଁ ଦୁର୍ବହ ମଣେ,କାହିଁପାଇଁ ଜୀବନକୁ ରଖିବି ଶୁଣେ ।
ରାଜ୍ୟ, ଭୋଗ, ସୁଖ, ଧନ ,ଯା ପାଇଁ ଲୋଡନ୍ତି ଜନ ।
ଧନ ପ୍ରାଣ ଆଶା ତ୍ୟାଗ କରିଣ ସେହି।
ଯୁଦ୍ଧେ ସମବେତ ସେତ,ବନ୍ଧୁଜନ ପିତା ଭ୍ରାତ
ଗୁରୁ,ପିତାମହ,ପୁତ୍ର,ସମୁଧି,ସହି
ମାମୁଁ,ଶଳା,ଶ୍ୱଶୁର,ପୌତ୍ର,ସର୍ବେ ସୁଖ ତ୍ୟାଗ କରି ଯୁଦ୍ଧେ ଏକତ୍ର।
ମାରନ୍ତୁ ପଛେ ସେ ମୋତେ,ତାଙ୍କୁ ନମାରିବି ସତେ।
କ୍ଷୁଦ୍ର ଧରା ରାଜ୍ୟ କିବା ଲୋଡା ମୋହର
ସ୍ୱର୍ଗ,ମର୍ତ୍ତ୍ୟ ,ପାତାଳ, ଯୁଦ୍ଧରେ ମିଳିଲେ ଫଳ
ସେଥିପାଇଁ ଆଶା ନାହିଁ ତିଳେ ମାତର।
କାହିଁପାଇଁ ଯୁଦ୍ଧ କରିବି,ସ୍ୱଜନ ମାରିଣ ଶାନ୍ତି କାହୁଁ ପାଇବି।
ଧୃତରାଷ୍ଟ୍ର ପୁତ୍ରେ ବଧି,କିବା ଅରଜିବି ନିଧି।
ଆତତାୟୀ ସେମାନେ ତ ପାପ ଶରୀର,
ତାହାଙ୍କୁ ମାରିଲେ ପାପ ବଢିବ ମନ ସନ୍ତାପ,ସବୁବେଳେ ଘାଣ୍ଟିହେବ ମୋର ଅନ୍ତର।
ଧାର୍ତ୍ତରାଷ୍ଟ୍ରେ ମାରିବା ନୁହେ,ହେ କୃଷ୍ଣ ! ସ୍ୱଜନ ବଧ କରିତ ନୁହେ।
ଲୋଭେ ଚେତନା ହରାଇ ବିବେକ ତାଙ୍କର ନାହିଁ
ମିତ୍ର ଦ୍ରୋହେ ଯେ ପାତକ ଯାଣିବେ କାହିଁ।
କୁଳ କ୍ଷୟେ ଯେତେ ଦୋଷ ନ ଜାଣନ୍ତି ସେ ପୁରୁଷ
ଆମ୍ଭେ ଜାଣୁ ଜାଣୁ ତାହା କରିବୁ ନାହିଁ
ନିବର୍ତ୍ତିବା ଉପାୟ କର, ବଂଶ ନାଶ ପାପ ପଙ୍କୁ ଉଦ୍ଧାର କର।
କୁଳ କ୍ଷୟେ ଧର୍ମ ନାଶ,ହୁଏ ଅଧର୍ମ ଆବାସ
ସନାତନ ଧର୍ମ ଶୀଘ୍ର ବିନିଷ୍ଟ ହୁଏ।
ଅଧର୍ମ ବଢିଲେ ଭ୍ରଷ୍ଟା,ନାରୀମାନେ ହେବେ ଦୁଷ୍ଟା।
ଦୂଷିତା ନାରୀରୁ ବର୍ଣ୍ଣ ଶଙ୍କର ପୁଏ , ଜାତ ହୋଇ କୁଳ ନାଶିବେ।
କୁଳ ନାଶ ହୋଇ ସର୍ବେ ନର୍କେ ପଡିବେ।
ପିତୃଏ ନର୍କେ ପଡନ୍ତି, ପିଣ୍ଡ ଉଦକ ନପାନ୍ତି।
କୁଳ ଘାତୀ ଶଙ୍କରଙ୍କ ଏପରି ପାପ
ସନାତନ ଜାତି ଧର୍ମ ଲୋପରେ ବଢେ. ଅଧର୍ମ
ପିତୃଗଣଙ୍କର ବଢିଯାଏ ସନ୍ତାପ ,
ସେଥିପାଇଁ ହେବା ସତର୍କ ,ସତର୍କ ନହେଲେ ନିଶ୍ଚେ ଭୋଗିବା ନର୍କ ।
ଉତ୍ସନ୍ନ ହୋଇଲେ କୁଳ, ସରିବହେ ଆଦିମୂଳ।
ନରକେ ନିୟତ ବାସ ହୋଇବ ଜାଣ
ଏ ଅଟେ ଶାସ୍ତ୍ର ପ୍ରମାଣ ,ଆମ୍ଭେ ଶୁଣିଅଛୁ ପୁଣ।
କିପରି ମହାପାପକୁ କରିବୁ ଜାଣ
ଅବିଚାରେ ଯୁଦ୍ଧେ ପଶିଛି,ସ୍ୱଜନ ମାରଣେ ପାପ ବହୁତ ଅଛି।
ଶସ୍ତ୍ର ପ୍ରତିକାର ହୀନ ଦେଖି ସେ କୌରବ ଗଣ।
ମାରନ୍ତୁ ତୋତେ ମଣିବି ମୁଁ ଭାଗ୍ୟବାନ।
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ବୁଝାଇ କହିଲେ ତାଙ୍କୁ। ଧନୁଶର ବିସର୍ଜିଲେ ଭାଷି ବଚନ
ମୌନ ହୋଇ ବସି ପଡିଲେ ଶୋକାକୁଳ ଚିତ୍ତେ ମନ ମାରି ରହିଲେ।
------000-----
ଦ୍ୱିତୀୟ ଅଧ୍ୟାୟ
ସଙ୍ଖ୍ୟା ଯୋଗ
ରାଗ-ବଙ୍ଗଳାଶ୍ରୀ
ସଞ୍ଜୟ କହିଲେ ଶୁଣ ଧୃତରାଷ୍ଟ୍ର ,ଅ ର୍ଜ୍ଜୁନ ବିଷାଦ ମନ।
ଅଶ୍ରୁଳ ନୟନ ଦେଖି ଆଶ୍ୱାସନ,କଲେ ଶ୍ରୀ ମଧୁସୂଦନ।
ଶ୍ରୀକୃଷ୍ଣ କହିଲେ ଶୁଣ ଅର୍ଜ୍ଜୁନ! କି ମୋହ ଘଟିଲା ତୋତେ।
ଅନାର୍ଯ୍ୟ,ଅଯଶ ସ୍ୱର୍ଗ ପଥରୋଧ ବିପଦ କାଳରେ ଏତେ।
ହେ ଶତ୍ରୁ ତାପନ କାତରତା ଛାଡ,ତୋତେ ଏ ନୁହେ ସୁନ୍ଦର।
କ୍ଷୁଦ୍ର ଦୁର୍ବଳତା ତେଜି ଦେଇ ବୀର,ଯୁଦ୍ଧକୁ କର ହୁକଙ୍କାର।
ଅର୍ଜ୍ଜୁନ କହିଲେ ହେ ମଧୁସୂଦନ ଯୁଦ୍ଧ କରିବି କିପରି।
ପୁଜ୍ୟ ଭୀଷ୍ମ ଦ୍ରୋଣ,ହେ ଶତ୍ରୁ ମର୍ଦ୍ଦନ,ଗୁରୁଜନ ସେ ମୋହରି।
ରୁଗୁଜନେ ବଧ ନକରି ଭିକ୍ଷାନ୍ନେ,ବଞ୍ଚିବା ଶ୍ରେୟ ଅଟଇ।
ଅର୍ଥ ଲୋଭୀ ହୋଇ ଗୁରୁହତ୍ୟା କଲେ,ଭୋର ରକ୍ତ ଲିପ୍ତ ହୋଇ।
କିଏ ସେ ହାରିବ କିଏ ବା ଜିଣିବ,ଏ ବିଚାର ମୋର ନାହିଁ।
ଯାରେ ରଣେ ମାରି ଇଚ୍ଛା ମୋର ନାହିଁ,ସମ୍ମୁଖେ ଅଛନ୍ତି ସେହି।
ଧର୍ମ ଅଧର୍ମ ମୁଁ ବୁଝି ପାରୁ ନାହିଁ,ମତି ମୋର ହେଲା ଭ୍ରମ।,
କିଏ ନିତ୍ୟ ଶ୍ରେୟ କୃପାରେ ବତାଅ ଶିଷ୍ୟ ମୁଁ ତୋରେ ଶରଣ।
ଇନ୍ଦ୍ରିୟ ତାପରୁ ଉଦ୍ଧରିବା ପାଇଁ ଉପାୟତ ଦିଶୁନାହିଁ
ନିଷ୍କଣ୍ଟକ ରାଜ୍ୟ ଦେବେ ଆଧିପତ୍ୟ,ହେଲେ ବା କମିବ କାହିଁ ?।
ସଞ୍ଜୟ କହିଲେ ଧୃତରାଷ୍ଟେ ଚାହିଁ ନିଦ୍ରାଜୟୀ ସେ ଅର୍ଜ୍ଜୁନ।
କୃଷ୍ଣଙ୍କୁ କହିଲେ ଯୁଦ୍ଧ ନକରିବି,ରହିଲେ ହୋଇ ମଉନ।
ଉଭୟ ସେନାଙ୍କ ମଧ୍ୟରେ ଅର୍ଜ୍ଜୁନ ବ୍ୟାକୁଳିତ ତାଙ୍କ ମନ।
ଶୁଣ ଧୃତରାଷ୍ଟ୍ର ହସି ହୃଷୀକେଶ,ତାଙ୍କୁ ଭାଷନ୍ତି ବଚନ।
ଶ୍ରୀକୃଷ୍ଣ କହିଲେ ଅଶୋଚ୍ୟରେ ଶୋକ,କରୁଅଛୁ କାହିଁପାଇଁ।
ଜ୍ଞାନୀ ପରି କଥା ବଖାଣୁଛୁ ତୁହି,ସେ ଶୋକ କରନ୍ତି ନାହିଁ।
ଜନ୍ମ ପୁର୍ବୁ ମୁହିଁ ନଥିଲି ବା ତୁହି ନଥିଲେ ନୃପତି ଗଣ।
ଏହି କଥା ମିଥ୍ୟା ଜାଣିଥାଅ ତୁହି,ଜାତ ହେବା ପୁନଃ ପୁନଃ।
ଆତ୍ମାର ଏ ଦେହେ ଶୈଶବ ଯୌବନ,ବୃଦ୍ଧାବସ୍ଥା ଆସି ହୁଏ।
ତାହାପରେ ଦେହୀ ଦେହ ତ୍ୟାଗ କରେ,ଜ୍ଞାନୀତ ବିବ୍ରତ ନୁହେ।
ବିଷୟେ ଇନ୍ଦ୍ରିୟ ସ୍ପର୍ଶେ ଯାତ ହୁଏ,ଶୀତ ଉଷ୍ମ,ସୁଖ,ଦୁଃଖ।
ଏସବୁ ଅନିତ୍ୟ ଅଟଇ ହେ ପାର୍ଥ,ସହିଯିବା ତ ଉଚିତ।
ଯାରେ ଏ ନବାଧେ ସେ ପୁରୁଷ ଶ୍ରେଷ୍ଠ,ସୁଖେ ଦୁଃଖେ ଧୀର ଥାଏ, ।
ମୋକ୍ଷ ସେହି ଜନ ଅଟେରେ ଅର୍ଜ୍ଜୁନ,ସହ୍ୟ ଶକ୍ତି ଯାର ଥାଏ।
ଅସତ ନୁହଇ,ସ୍ଥାୟୀରେ ଅର୍ଜ୍ଜୁନ,ସତ୍ୟର ବିନାଶ ନୁହେ।
ତତ୍ତ୍ୱଦର୍ଶୀ ଗଣ ଏ ଜ୍ଞାନ ଜାଣନ୍ତି,ସେହି ନ ପଡନ୍ତି ମୋହେ।
ଚରାଚର ବିଶ୍ୱ ବ୍ୟାପି ଯେ ଅଛନ୍ତି,ସେହି ଅବିନାଶୀ ଜାଣ।
ତାହାଙ୍କୁ କିଏ ସେ କିପରି ବଧିବ,ବଧ ସେ ନୁହନ୍ତି ପୁଣ।
ନିତ୍ୟ ଅବିନାଶୀ ଜ୍ଞାନାତୀତ ସେହି,ଅନିତ୍ୟ ଅଟେ ଶରୀର।
ତେଣୁ ହେ ଅର୍ଜ୍ଜୁନ ଶୋକ ତ୍ୟାଗ କରି,ପ୍ରାଣ ପଣେ ଯୁଦ୍ଧ କର।
ଆତ୍ମାକୁ ମାଇଲା,ଆତ୍ମା ମଲା ବୋଲି ଯେଉଁମାନେ କହୁଥାନ୍ତି ।
ସେମାନେ ଅଜ୍ଞାନ ଆତ୍ମା ମରେ ନାହିଁ ,କାହାକୁ ମାରୁ ନଥାନ୍ତି।
ଜନ୍ମେ ନାହିଁ ସେହୁ,ମରେ ନାହିଁ କେବେ,ସର୍ବଦା ସେ ଏକ ରୂପ।
ଦେହକୁ ହାଣିଲେ ଦେହୀ ମରେ ନାହିଁ,ନିତ୍ୟ ଶାଶ୍ୱତ ସ୍ୱରୁପ।
ଏହାଙ୍କୁ ଯେ ଜାଣେ ଅବ୍ୟୟ ଅନନ୍ତ,ଅଜ, ନିତ୍ୟ ଅଟେ ସେହୁ । ,
ହେ ପାର୍ଥ ! ସେନର ବଧ କି କରିବ,ବଧ କରାଇବ କେହୁ ।
ଯେପରି ମାନବ ପୁରାତନ ବସ୍ତ୍ର,ତ୍ୟାଗେ ନୂତନ ପିନ୍ଧଇ।
ସେହିପରି ଦେହୀ ଜୀର୍ଣ୍ଣ ଦେହ ତ୍ୟାଗେ,ନୂତନ ଦେହ ଧରଇ ।
ଅସ୍ତ୍ର,ଶସ୍ତ୍ରେ ଆତ୍ମା, ଚ୍ଛେଦନ ନହୁଏ,ଅଗ୍ନିରେ ଦହନ ନୁହେଁ।
ଜଳେ ସେ ନ ମଜ୍ଜେ,ବାୟୁରେ ନ ଶୁଖେ,ଏକ ରୂପେ ସଦା ରହେ।
ନିତ୍ୟ ସର୍ବଗତ,ସୁସ୍ଥିର ସ୍ୱଭାବ,ଅଚଳ ଅନାଦି ଆତ୍ମା।
ସେ ଦେହୁ ଚ୍ଛେଦନ,ଦାହ ବା ମଜ୍ଜନ,ଶୋଷଣ ନୁହେଁ ମହାତ୍ମା।
ଜ୍ଞାନେନ୍ଦ୍ରିୟେ ସେତ ଗୋଚର ନ ହୁଏ,ମନର ଅଗମ୍ୟ ସେହି।
ଦେହୀକୁ ଏସନ ବୁଝିଣ ଅର୍ଜ୍ଜୁନ,ଶୋକ କରୁ କାହିଁପାଇଁ।
ଯଦି ଅବା ଜାଣ ନିତ୍ୟ ସେ ଜନ୍ମୁଛି,ନିତ୍ୟ ହେଉଅଛି ମୃତ।
ଆହେ ମହାବାହୁ ଦେହ ପାଇଁ ଆଉ,ଶୋକ ତୋର ଅନୁଚିତ।
ଯେ ଜନମ ହୁଏ ତାର ମୃତ୍ୟୁ ହୁଏ,ମୃତ୍ୟୁ ହେଲେ ଜନ୍ମ ହେବ ।
ତ୍ରାହି ନାହିଁ ଯେଣୁ ନିଶ୍ଚିତ ଏ କଥା,କିଏ ବା ଶୋକ ଶୁଣିବ।
ଶୁଣହେ ଅର୍ଜ୍ଜୁନ! ଜନ୍ମ ପୁର୍ବୁ ଦେହ ନଥିଲା ତ ମନେରଖ ।
ଏବେ ଦେହ ଅଛି ପରେ ନ ରହିବ,ଚିନ୍ତା ତୁ ମନେ ନ ରଖ।
କେ କେତେ ଆତ୍ମାକୁ ଆଶ୍ଚର୍ଯ୍ୟ ମଣନ୍ତି,ଦେଖି ଶୁଣି ତାର ଭାବ।
ଆଶ୍ଚର୍ଯ୍ୟ ଭାବରେ ବର୍ଣ୍ଣନା କରନ୍ତି ଶୁଣି ନ ପାଆନ୍ତି ଠାବ।
ଦେହଧାରୀ ଜୀବ ପ୍ରତି ଦେହ ମଧ୍ୟେ,ଅଧ୍ୟବ ରୂପରେ ଥାଇ
ସର୍ବ ଦେହ ପାଇଁ ଶୋକ କାହିଁପାଇଁ,ଏହା ଉଚିତ ନୁହଇ।
କ୍ଷତ୍ରିୟର ନୁହେ ଯୁଦ୍ଧ ସମୟରେ,ଭୀରୁ ପରି କମ୍ପିବାର।
କ୍ଷତ୍ରିୟ ପାଇଁକି କଲ୍ୟାଣ ଦାୟକ ଧର୍ମ ଯୁଦ୍ଧ କରିବାର।
ଦୈବ ଯୋଗେ ପ୍ରାପ୍ତ ସ୍ୱର୍ଗଦ୍ୱାର ମୁକ୍ତ,ଧର୍ମ ଯୁଦ୍ଧ ପହଞ୍ଚିଛି।
ଭାଗ୍ୟବନ୍ତ କ୍ଷତ୍ରୀ ଜନ ଯେ ଅଟନ୍ତି,ତାହାଙ୍କୁ ଆସି ମିଳିଛି।
ଯଦି ଏହି ଧର୍ମ ଯୁଦ୍ଧ ନ କରିବ,ଆପଣାର ଧର୍ମ ଯଶ।
କୀର୍ତ୍ତୀନାଶ ହୋଇ ପାପ ପ୍ରାପ୍ତି ହେବ,ପାଇବଟି ଅପଯଶ।
ଅକୀର୍ତ୍ତି ଘୋଷଣା କରିବେ ଜଗତେ,ଜନଗଣ କାଳେ କାଳେ।
ଯଶସ୍ୱୀ ଲୋକର ଅଯଶ ହୋଇଲେ,ମରଣ ତାହାକୁ ବଳେ।
ମହାରଥୀମାନେ ବିଚାର କରିବେ,ଭୟରେ ଛାଡିଲୁ ରଣ।
ଯେ ଲୋକ ସମ୍ମାନ କରୁଥିଲେ ତୋତେ,ଦେବେ ଏବେ ଅପମାନ।
ଶତ୍ରୁଗଣ ମିଳି ଦେବେ ବହୁଗାଳି,ସାମର୍ଥ୍ୟ ତୋ ଦେବେ କଳି।
ଏହାଠୁ ଅଧିକ କେଉଁ ଦୁଃଖ ଅଛି,ସମସ୍ତ ଦୁଃଖଠୁଁ ବଳି।
ଯୁଦ୍ଧରେ ଜିଣିଲେ ରାଜ୍ୟ ଲାଭ ହେବ,ମରିଗଲେ ସ୍ୱର୍ଗ ଲାଭ।
, ଡେଇଁପଡି ପାର୍ଥ ! ଯୁଦ୍ଧେ ଠିଆ ହୁଅ,ହୋଇବ ତୁମ୍ଭର ଶୁଭ।
ସୁଖ,ଦୁଃଖ, ଜୟା, ଜୟ ହାନିଲାଭ,ସମ ମଣି ଯୁଦ୍ଧେ ପଶ।
ପାପ ଭାଗୀ ତୁମେ ହୋଇବନି କେବେ କହିଲି ତାର ସନ୍ଦେଶ।
ଶୁଣିଲୁ ଅର୍ଜ୍ଜୁନ! ସାଂଖ୍ୟ ତତ୍ତ୍ୱଜ୍ଞାନ,ଏବେ ଶୁଣ ଯୋଗଜ୍ଞାନ।
ଯାହା ପ୍ରାପ୍ତ ହେଲେ କର୍ମ ବନ୍ଧନରୁ,ମୁକ୍ତ ହେବୁ ତୁ ବହନ।
ନିଷ୍କାମ କର୍ମରେ ବିଫଳ ଆଶଙ୍କା,ନଥାଏ ତ କଦାଚନ।
ଏ ଧର୍ମରୁ ତୁମ୍ଭେ ଟିକିଏ କରିଲେ,ମହାଭୟୁ ପରିତ୍ରାଣ।
ହେ ଅର୍ଜ୍ଜୁନ ଶୁଣ ନିଷ୍କାମ ଯୋଗରେ,ଏକ ରୂପ ବୁଦ୍ଧି ହୁଏ।
ଏ ଯୋଗରେ ଶ୍ରଦ୍ଧା ନଥିବା ଲୋକର ,ବୁଦ୍ଧିତ ଅନେକ ହୁଏ।
ଶୁଣ ଆହେ ପାର୍ଥ! ଅଳ୍ପ ବୁଦ୍ଧି ଜନ ଧରି କର୍ମ କାଣ୍ଡ ବେଦ।
ତହୁଁ ବଡ ନାହିଁ ବୋଲି ସେ କହନ୍ତି,ଲଗାନ୍ତି ବହୁ ବିବାଦ।
ସ୍ୱର୍ଗ ସୁଖ ଫଳ କାମୀ ଇଚ୍ଛା କରି,ନାନା କ୍ରିୟା କର୍ମେ ମଜ୍ଜେ।
ସେହି କାମୀଜନ ଏୈଶ୍ୱର୍ଯ୍ୟ ଆଶାରେ ନିତ୍ୟ ନୂଆ କର୍ମ ଖୋଜେ।
ଭୋଗରେ ଆଶକ୍ତି ଏୈଶ୍ୱର୍ଯ୍ୟରେ ମତି ଯେବଣ ପ୍ରାଣୀଙ୍କ ଥାଏ ।
ସର୍ବଦା ସେଥିରେ ଲିପ୍ତ ରହିବାରୁ ବୁଦ୍ଧି ତାର ସ୍ଥିର ନୁହେଁ।
ବେଦ କର୍ମ କାଣ୍ଡ ତ୍ରିଗୁଣ ଅଟଇ,ତ୍ରିଗୁଣ ଅତୀତ ହୁଅ।
ଯୋଗ କ୍ଷେମ ବୁଦ୍ଧି ତ୍ୟାଗ କରି ତୁହି ବ୍ରହ୍ମେ ପ୍ରତିଷ୍ଠିତ ରୁହ
ବଡ ଜଳାଶ୍ରୟ ମିଳିଗଲେ ବାବୁ,କ୍ଷୁଦ୍ର କ୍ଷୁଦ୍ର ଜଳାଶ୍ରୟ।
ଲୋଡା କି ହୁଅଇ? ବ୍ରହ୍ମଜ୍ଞାନ ହେଲେ,କର୍ମ କାଣ୍ଡ ହୁଏ ଲୟ।
ଫଳ ପାଇଁ କର୍ମ କାରଣ ନ ହେଉ କର୍ମ ପାଇଁ ରହୁ ମନ।
ଅକର୍ମରେ ତୁମ ଆସକ୍ତି ନ ରହୁ ନିସ୍କାମ କର୍ମରେ ଧ୍ୟାନ।
ଯୋଗରେ ଅଟଳ ଗୁଣ ସଙ୍ଗ ତ୍ୟାଗ ସିଦ୍ଧି ଅସିଦ୍ଧିରେ ସମ।
ଏପରି ଅର୍ଜ୍ଜୁନ! କର୍ମକୁ କରିଲେ ସେହି ଯୋଗ ଅଟେ ସମ।
ଜ୍ଞାନଠାରୁ କର୍ମ ଯୋଗଟି ନିକୃଷ୍ଟ କହିଲି ହେ ଧନଞ୍ଜୟ।
ଫଳ ତ୍ୟାଗ କରି ବୁଦ୍ଧିଯୁକ୍ତ ହୋଇ କର୍ମ କଲେ ହେବ ଜୟ।
ବୁଦ୍ଧି ଯୋଗ କରି ସୁକୃତ ଦୁଷ୍କୃତ ଭାବକୁ କରିବ ତ୍ୟାଗ।
କର୍ମ ଦ୍ୱାରା ମୋକ୍ଷ ଲାଭର ମାର୍ଗଟି କର୍ମେ କୌଶଳ ହିଁ ଯୋଗ।
କର୍ମରୁ ଉତ୍ପନ୍ନ ଫଳ ତ୍ୟାଗେ ଜ୍ଞାନୀ ଜନ୍ମ ବନ୍ଧନରୁ ମୁକ୍ତ।
ଉପଦ୍ରବ ଶୂନ୍ୟ ସେ ମୁକ୍ତ ପଥକୁ ସହଜେ ହୁଅନ୍ତି ପ୍ରାପ୍ତ।
ଯେତେବେଳେ ମୋହ ଦୁର୍ଗ ପାର ହେବ ସେବେଳେ ଘଟିବ ଶୁଣ।
ଶୁଣିବାକୁ ଇଚ୍ଛା ଯାହା ଶୁଣି ଅଛ ବୈରାଗ୍ୟ ପ୍ରାପ୍ତଟି ଜାଣ।
କର୍ମ କାଣ୍ଡ ଜ୍ଞାନେ ମତି ତୋ ଅସ୍ଥିର ସାଥିରୁ ନିବୃତ ହେଲେ।
ବୁଦ୍ଧି ହେବ ସ୍ଥିର ଯୋଗ ଫଳ ପ୍ରାପ୍ତ ଅଚିରେ ଲଭିବୁ ଭଲେ।
ଅର୍ଜ୍ଜୁନ କହିଲେ ଶୁଣ ହେ କେଶବ! ଆତ୍ମଜ୍ଞାନୀ ମାନଙ୍କର।
ଚାଲି ଚଳଣ ଓ ଭାଷଣ କିପରି,କହିବ ମୋହ ଆଗର।
ଶ୍ରୀକୃଷ୍ଣ କହିଲେ ଶୁଣ ଆରେ ପାର୍ଥ କାମନା ମନୁ ତୁଟିଲେ।
ଆତ୍ମାରେ ସନ୍ତୁଷ୍ଟ ମନ ଯେବେ ହେବ ସ୍ଥିତ ପ୍ରଜ୍ଞ ସେତେବେଳେ।
ଦୁଃଖ ସମୟରେ କାତର ନ ହୁଏ ସୁଖରେ ଯା ଇଚ୍ଛା ନାହିଁ।
ରାଗ, ଭୟ, କ୍ରୋଧ ବିଗତ ହୋଇଲେ ସ୍ଥିତପ୍ରଜ୍ଞ ମୁନି ସେହି।
ଉତ୍ତମ ପ୍ରାପ୍ତିରେ ପ୍ରଶଂସାତ ନାହିଁ ନିକୃଷ୍ଟ ପଦାର୍ଥେ ନିନ୍ଦା।
ସକଳ ବିଷୟେ ନାହିଁ ଅନୁରାଗ ତାହାକୁ ବୋଲନ୍ତି ପ୍ରଜ୍ଞା।
କଚ୍ଛପ ଯେପରି ଆପଣା ଅଙ୍ଗକୁ ସଙ୍କୁଚିତ କରିପାରେ।
ବିଷୟ ଭୋଗରୁ ଇନ୍ଦ୍ରିୟ ଗଣକୁ ପ୍ରଜ୍ଞାବାଦୀ ଟାଣିପାରେ।
ସ୍ଥିତ ପ୍ରଜ୍ଞ ହେଲେ ଇନ୍ଦ୍ରିୟ ସକଳ ବିଷୟେ ପଶନ୍ତି ନାହିଁ।
ବ୍ରହ୍ମ ସାକ୍ଷାତରେ ସକଳ କାମନା ମନୁଯାଏ ଦୂର ହୋଇ।
ଶୁଣ ହେ ଅର୍ଜ୍ଜୁନ! ଇନ୍ଦ୍ରିୟର ଟାଣ ବୁଝିବା ଅଟେ କଠିନ।
ବିବେକୀ ପୁରୁଷ ମନକୁ ହରିଣ ବଳେ କରନ୍ତି ମନ୍ଥନ।
ସଂପୂର୍ଣ୍ଣ ଦମନ କରି ଇନ୍ଦ୍ରିଗଣ ଭକ୍ତିଭାବ ଆତ୍ମାଠାରେ ।
ବଢିଲେ ଇନ୍ଦ୍ରିୟ ବଶ ହେବ ଜାଣ ପ୍ରଜ୍ଞା ପ୍ରତିଷ୍ଠିତ ତାରେ।
ବିଷୟ ଧ୍ୟାନରେ ଆସକ୍ତି ବଢିଲେ ତହୁଁ କାମ ହୁଏ ଜାତ।
କାମନାରୁ କ୍ରୋଧ ଜନମ ହୁଅଇ ଏହାତ ଶାସ୍ତ୍ରର ମତ।
କ୍ରୋଧ ବଢିଗଲେ ମୋହ ହୁଏ ମନ ମୋହରୁ ସ୍ମୃତି ବିଭ୍ରମ।
ସ୍ମୃତି ଭ୍ରମ ହେଲେ ବୁଦ୍ଧି ନାଶ ହୁଏ,ବୁଦ୍ଧି ନାଶରୁ ମରଣ।
ଇନ୍ଦ୍ରିୟେ ମନର ବଶୀଭୂତ ହେଲେ,ରାଗ ଦ୍ୱେଷୁ ମୁକ୍ତ ହୋଇ।
ବିଷୟ ଭୋଗରେ ଆତ୍ମା ଶାନ୍ତି ପାଇ ମନ ପ୍ରସନ୍ନ ରହଇ।
ମନ ପ୍ରସନ୍ନରେ ଦୁଃଖ ଚାଲିଯାଏ,ଦୁଃଖ ନାଶେମନ ଶାନ୍ତି।
ପ୍ରସନ୍ନ ବ୍ୟକ୍ତିର ଶୀଘ୍ର ବୁଦ୍ଧି ସ୍ଥିର ଚିତ୍ତ ନହୁଏ ଅଶାନ୍ତି।
ବ୍ରହ୍ମେ ବୁଦ୍ଧି ଯୋଗ ନଥିବା ଲୋକର ଇନ୍ଦ୍ରିୟେ ବଶ ନହେବେ।
ଆତ୍ମାର ଭାବନା ନ ଆସିବ କେବେ,ସୁଖ ଶାନ୍ତି ନପାଇବେ।
ଇନ୍ଦ୍ରିୟ ପଛରେ ଯେଉଁ ମନ ଧାଏଁ,ତାର ପ୍ରଜ୍ଞା ନାଶ ଯାଏ।
ଯଥା ଜଳେ ନାବ ଗତି ବେଳେ ବାତ୍ୟା ବହିଲେ କୂଳ ନପାଏ।
ସେହେତୁ ଅର୍ଜ୍ଜୁନ! ଯାର ଇନ୍ଦ୍ରିଗଣ,ବଶୀଭୂତ ହୋଇଛନ୍ତି।
ବିଷୟୁ ନିବୃତ୍ତ ହୋଇଣ ଥିବାରୁ ସ୍ଥିତ ବୁଦ୍ଧି ସେ ଅଟନ୍ତି।
ଅବିବେକୀ ପ୍ରାଣୀ ମାନଙ୍କର ଯାହା ଅନ୍ଧକାର ମୟ ରାତ୍ରି।
ଜିତେନ୍ଦ୍ରିୟ ବ୍ୟକ୍ତି ସେହି ସମୟରେ ସତତ ଜାଗ୍ରତ ଥାନ୍ତି।
ଅବିବେକୀ ପ୍ରାଣୀ ଯେଉଁ ସମୟରେ ସର୍ବଦା ଜାଗ୍ରତ ଥାନ୍ତି।
ଆତ୍ମଦର୍ଶି ବ୍ୟକ୍ତି ସେହି ସମୟକୁ ରାତ୍ରି ସ୍ୱରୂପ ଦେଖନ୍ତି।
ପୂର୍ଣ୍ଣ ସମୁଦ୍ରରେ ସରିତ ମିଶିଲେ କୂଳ ଲଙ୍ଘେ ନାହିଁ ସେହି ।
ସଂଯମୀ ନିକଟେ ବିଷୟ ମିଳିଲେ ବିଚଳିତ ସେ ନହୋଇ।
ସାଗର ପରିସେ ସ୍ଥିର ରହିଥାଏ,ଭୋଗେ ନହୁଏ ଅସ୍ଥିର।
ମାତ୍ର କାମୀଜନ ଭୋରେ ଥାଏ ମନ ଭୋଗେ ତା ବଢେ ଅସ୍ଥିର।
ସମସ୍ତ କାମନା ପରିତ୍ୟାଗ କରି ମମତା ଶୂନ୍ୟ ହୋଇଲେ।
ଅହଙ୍କାର ତ୍ୟାଗ କରିଣ ବିଷୟ ଭୋଗରେ ଶାନ୍ତି ପାଇଲେ ।
ଏ ବ୍ରହ୍ମରେ ସ୍ଥିତି ହୋଇଲେ ଅର୍ଜ୍ଜୁନ! ଅଜ୍ଞାନେ ମୋହିତ ନୁହେ।
ଅନ୍ତିମ ସମୟେ ଏ ବ୍ରହ୍ମ ନିଷ୍ଠାରେ ପରମ ପଦକୁ ପାଏ।
------000------
ତୃତୀୟ ଅଧ୍ୟାୟ
(କର୍ମ ଯୋଗ)
ରାଗ-ରାମକେରୀ
ଅର୍ଜ୍ଜୁନ କହିଲେ ଶ୍ରୀକୃଷ୍ଣ ଯେବେ ତୁମ୍ଭର ମତେ।
ଜ୍ଞାନ ଯୋଗ ଶ୍ରେଷ୍ଠ ଅଟଇ କର୍ମ ଯୋଗରୁ ସତେ।
ତେବେ କାହିଁପାଇଁ କେଶବ,ମୋତେ ଭୁଲାଉ ଅଛ।
ହିଂସାତ୍ମକ ଯୁଦ୍ଧ କାର୍ଯ୍ୟରେ ମୋତେ ପୁରାଉ ଅଛ।
ମିଶ୍ରିତ ବଚନେ ମୋହର ବୁଦ୍ଧି ମୋହେ ପଡୁଛି।
ନିଶ୍ଚିତ କଥାଏ କହନ୍ତୁ ଯେହ୍ନେ ପାଇବି ମୁକ୍ତି।
ଶ୍ରୀକୃଷ୍ଣ କହିଲେ ଅନଘ! ନିଷ୍ଠା ଦୁଇ ପ୍ରକାର।
ପୂର୍ବରୁ କହିଛି ତୁମ୍ଭଙ୍କୁ ଏବେ ସ୍ମରଣ କର।
ଜ୍ଞାନ ଅଧିକାରୀ ପକ୍ଷରେ ଜ୍ଞାନ ଯୋଗଟି ଶ୍ରେଷ୍ଠ।
କର୍ମାଧିକାରୀଙ୍କ ପାଖରେ କର୍ମ ଯୋଗ ବରିଷ୍ଠ।
ସାଧକ କର୍ମକୁ ନ କଲେ ତତ୍ତ୍ୱଜ୍ଞାନ ନ ମିଳେ।
କର୍ମ ପରିତ୍ୟାଗ କରିଲେ ସିଦ୍ଧି ନମିଳେ ତିଳେ।
କର୍ମ ନ କରିଣ ମନୁଷ୍ୟ କ୍ଷଣମାତ୍ର ନ ରହେ।
ନିଜ ପ୍ରକୃତିର ଗୁଣଟି ତାକୁ କର୍ମେ ପୁରାଏ।
କର୍ମେନ୍ଦ୍ରିୟଗଣ ସଂଯମ ମନେ ସଂଯମ ନାହିଁ।
ବିଷୟକୁ ମନେ ଚିନ୍ତଇ ମୂର୍ଖ କପଟୀ ସେହି।
ମନେ ଇନ୍ଦ୍ରିୟଙ୍କୁ ସଂଯମ କରିଥିଲେ ଅର୍ଜ୍ଜୁନ!
ଇନ୍ଦ୍ରିୟେ ନିଷ୍କାମ କର୍ମଟି କରେ ସେ ବିଜ୍ଞଜନ।
ନିୟତ ନିଷ୍କାମ କର୍ମକୁ ଯତ୍ନେ କରୁଣ ଥାଅ।
କର୍ମ ତ୍ୟାଗ କଲେ ତୋହର,ଜଡ ହୋଇବ ଦେହ।
ଯଜ୍ଞ ଅର୍ଥେ କର୍ମ କର ତୁ ଆନେ ବନ୍ଧନ ତୋର
ଆସକ୍ତି ତେଜିଣ କୌନ୍ତେୟ କର୍ମ କର ଆଗର।
ଯଜ୍ଞେ ଅଧିକାରୀମାନଙ୍କୁ ସୃଷ୍ଟି ଆରମ୍ଭେ ବ୍ରହ୍ମା।
କହିଥିଲେ ଯଜ୍ଞ କର୍ମରେ ବୁଦ୍ଧି କର ମହିମା।
ଯଜ୍ଞରେ ଦେବତା ସନ୍ତୁଷ୍ଟ ସୁଖ ତୁମକୁ ଦେବେ।
ପରସ୍ପର ଭାବ ବଦଳେ ଶ୍ରେଷ୍ଠ ଶାନ୍ତି ପାଇବେ।
ଯଜ୍ଞରେ ସନ୍ତୋଷ ଦେବତା ହୋଇ ତୁମ୍ଭଙ୍କୁ ବର।
ବାଞ୍ଛିତ ଫଳକୁ ପ୍ରଦାନ କରିଦେବେ ସତ୍ୱର।
ଦେବଦତ୍ତ ଭୋଗ ଦେବଙ୍କୁ ଯେ ନଦେଇ ଭକ୍ଷିବେ।
ଚୋର ମାନଙ୍କର ମଧ୍ୟରେ ସେହି ଗଣା ହୋଇବେ।
ଯଜ୍ଞାବଶିଷ୍ଟାନ୍ନ ଭୋଜନ କରି ସାଧୁ ତରନ୍ତି।
ନିଜ ପାଇଁ ଯେହୁ ରାନ୍ଧନ୍ତି ପାପ ଭୋଗ କରନ୍ତି।
ଅନ୍ନରୁତ ପ୍ରାଣୀ ଉତ୍ପନ୍ନ ଅନ୍ନ ଜାତ ଦୃଷ୍ଟିରେ।
ବୃଷ୍ଟି ତ ଯଜ୍ଞରୁ ହୁଅଇ,ଯଜ୍ଞ ହୁଏ କର୍ମରେ।
ଯଜ୍ଞାଦି କର୍ମତ ବେଦରୁ ବେଦ ବ୍ରହ୍ମୁ ଉତ୍ପତ୍ତି।
ବ୍ରହ୍ମ ସର୍ବବ୍ୟାପି ହେଲେ ବି ଯଜ୍ଞେ ସ୍ଥିତ ଅଟନ୍ତି।
ଏହି କର୍ମ ଚକ୍ରେ ମଜ୍ଜିଣ ଯେହୁ ନପାରେ ପାର୍ଥ।
ସେ ପାପୀ ଇନ୍ଦ୍ରିୟ ଆସକ୍ତ ତାର ଜୀବନ ବ୍ୟର୍ଥ।
କେବଳ ଆତ୍ମାରେ ପିରତି ଆତ୍ମେ ଯେ ନର ତୃପ୍ତ।
ଆତ୍ମାରେ ସନ୍ତୋଷ ଲଭଇ କର୍ମେ ନହୁଏ ବ୍ୟସ୍ତ।
କୃତ ବା ଅକୃତ କର୍ମରେ ପୂଣ୍ୟ ପାପ ତା ନାହିଁ।
ମୁକ୍ତି ପାଇଁ କାହା ଉପରେ ତାର ଆଶ୍ରୟ ନାହିଁ।
ସେ ହେତୁ ଆସକ୍ତ ନହୋଇ କର୍ମ କର ବିହିତ।
ଆସକ୍ତି ବିହୀନ କର୍ମରେ ନର ହୁଏ ମୁକତ।
ଜନକାଦି ଋଷି କର୍ମରେ ଜ୍ଞାନ ହେଲା ତାଙ୍କରଖଖଖଖ।
ଲୋକଙ୍କ ସ୍ୱଧର୍ମ ପ୍ରବୃତ୍ତି ପାଇଁ କର୍ମ ତୁ କର।
ଶ୍ରେଷ୍ଠ ବ୍ୟକ୍ତି ଯେଉଁ କର୍ମକୁ ଆଚରଣ କରନ୍ତି।
ଅନ୍ୟମାନେ ସେହି କର୍ମକୁ ଅବିଚାରେ କରନ୍ତି।
ବିଜ୍ଞ ଲୋକେ ଯାହା ପ୍ରମାଣ ସବୁ କରି ଅଛନ୍ତି।
ଅଜ୍ଞ ଲୋକେ ଅନୁସରଣ ତାହା ସବୁ କରନ୍ତି।
ଶ୍ରୀକୃଷ୍ଣ କହିଲେ ଅର୍ଜ୍ଜୁନ! ତିନି ଲୋକରେ ମୋର।
କୌଣସି କର୍ତ୍ତବ୍ୟ କର୍ମଟି ନାହିଁ ଶୁଣ ମୋ ଗୀର।
କେଉଁ କଥା ଅବା ଅଭାବ କିବା ଲୋଡା ମୋହର।
ତଥାପି କର୍ମକୁ କରୁଛି ନାହିଁ ବିଶ୍ରାମ ମୋର।
ଆଳସ୍ୟକୁ ତ୍ୟାଗ କରିଣ ଯଦି ନକରେ କର୍ମ।
ହେ ପାର୍ଥ! ମୋହର ପଥରେ ଯିବେ ସକଳ ଜନ।
କର୍ମ ମୁଁ ନକଲେ ମାନବ ଗଣ ଉତ୍ସନ୍ନ ହେବେ।
ବର୍ଣ୍ଣ ଶଙ୍କରର କର୍ତ୍ତା ମୁଁ ପ୍ରଜା ପାପିଷ୍ଠ ହେବେ।
ଅଜ୍ଞାନୀ କର୍ମରେ ଆସକ୍ତ ହୋଇ କର୍ମ କରନ୍ତି।
ଆସକ୍ତି ନଥାଇ ଅର୍ଜ୍ଜୁନ! ଜ୍ଞାନୀ କର୍ମେ ପଶନ୍ତି।
ଅଜ୍ଞାନୀ ଆସକ୍ତ ହୋଇଣ କର୍ମେ ମାତି ଥାଆନ୍ତି।
ଜ୍ଞାନୀଲୋକ ତାଙ୍କ ବୁଦ୍ଧିରେ ଭେଦ କରୁ ନଥାନ୍ତି।
ନିଜେ ଯୋଗ ଯୁକ୍ତ ହୋଇଣ ଶାସ୍ତ୍ର ବିଧିରେ କର୍ମ।
କରି କରାଇବ ମାନବ ତେବେ ରହିବ ଧର୍ମ।
ପ୍ରକୃତି ଗୁଣରେ ସକଳ କାର୍ଯ୍ୟ ହୁଏ ଧରାରେ।
ଅହଙ୍କାରୀ ମୂର୍ଖ ଜନଟି କର୍ତ୍ତା ଭାବେ ମନରେ।
ତତ୍ତ୍ୱଜ୍ଞାନୀ ଜାଣେ ଅର୍ଜ୍ଜୁନ! ଗୁଣ କର୍ମ ବିଭାଗେ।