ନିଖିଳ ବିଶ୍ୱର ଭରା ବିପୁଳ ସଂଗୀତ
ସଞ୍ଚିତ ସୁଧାର ଦେଇ ମଧୁର ଇଙ୍ଗିତ
ଅନ୍ତିମ ଲକ୍ଷ୍ୟର ପଥେ ସେ ମହାଗୀତିକା
ଗାଇ ଚାଲେ ଧରା ଛନ୍ଦେ ମୁହିଁ, ଇଙ୍ଗିତିକା
ବାଞ୍ଛାନିଧି
କବିତା ଓ ସଙ୍ଗୀତ ଶ୍ରୀମାନ୍ବାଞ୍ଛାନିଧି ଦାଶଙ୍କର ଭାବସ୍ରୋତସ୍ଵୀନୀର ଦୁଇଟି ଧାରା – ସମାନ ସ୍ୱଚ୍ଛ ଓ ସାବଲୀଳ: ତାଙ୍କର ଜୀବନ ବୃନ୍ତରେ ଦୁଇଟି –ପୁଷ୍ପ ସମାନ ସୁନ୍ଦର ଓ ସୁଗନ୍ଧଯୁକ୍ତ । କବିତା ତଥା ସଙ୍ଗୀତରେ ସାଧକର ଦେଶପ୍ରେମୀ ଓ ସରଳ ମନର କଳାନୁମୋଦିତ ବିନ୍ୟସ୍ତ ସ୍ୱତଃସ୍ଫୁର୍ତ୍ତ ପ୍ରବାହ ବାସ୍ତବିକ୍ ଅନବଦ୍ୟ । ଶ୍ରୀମାନ୍ ବାଞ୍ଛାନିଧି ତାଙ୍କର ଏକାଗ୍ର ସାଧନାରେ ଉତ୍ତରୋତ୍ତର ଉନ୍ନୀତ ହୁଅନ୍ତୁ ଓ ତାଙ୍କର ଦାନରେ ଆମ ଦେଶର ସାହିତ୍ୟ ଓ ସଂଗୀତ ସୁପୁଷ୍ଟ ହେଉ, ‘‘ଏହା ହିଁ ମୁଁ ଅନ୍ତରର ସହିତ ଚାହେଁ ।
ଶ୍ରୀ କିଶୋର ଚନ୍ଦ୍ର ଦେବ
ରାଜା ଆଠମଲ୍ଲିକ
ତା. ୨୦ | ୦୮ | ୪୬
(୨)
ଉତ୍କଳର ଜଣେ ଚାରଣ-କବିର ଆସନ ବରାବର ଶୂନ୍ୟ ଥିବାର ଆମ୍ଭେମାନେ ଅନୁଭବ କରି ଆସୁଥିଲୁ। ଶ୍ରୀମାନ୍ ବାଞ୍ଛାନିଧି ତାଙ୍କୁ ଦେଖି ଓ ତାଙ୍କ ନିଜ ରଚିତ ଜାତୀୟ ଗାନଗୁଡ଼ିକ ନିଜ ମୁହଁରୁ ଶୁଣି ମନେ ହେଲା ଯେପରି ଉତ୍କଳର ଏ ଅଭାବ ପୂରଣ ହେବା ଉପରେ । ଶ୍ରୀମାନ୍ଙ୍କର ଗାନଗୁଡ଼ିକ ସରଳ, ସରସ, ସଙ୍ଗୀତମୟ ଓ ପ୍ରାଣସ୍ପର୍ଶୀ । ସେଥିରେ ପତିତ ଦଳିତ ପାଇଁ ଗଭୀର କାରୁଣ୍ୟ ଫୁଟିବା ସଂଗେ ସଂଗେ ସୁପ୍ତ ଜାତିକୁ ଉଠାଇବା ଲାଗି ଗର୍ଜ୍ଜନମୟ ଉନ୍ମାଦନା ମଧ୍ୟ ଅଛି । ତାଙ୍କର କେତେକ କବିତା ବି ପଢିଲି ଓ ଦେଖୁଛି ଏ ଦିଗେର ବି ତାଙ୍କର ଭବିଷ୍ୟତ ଉଜ୍ଜଳ। କିନ୍ତୁ ଉତ୍କଳଦେଶ ପ୍ରତିଭାର ଶ୍ମଶାନଭୂମି । ଏଇ ଚାରଣ-କବି, ଆର୍ଥିକ ଦୂରବସ୍ଥା ଭିତରେ କେତେଦିନ ସରସ୍ୱତୀଙ୍କ ସ୍ୱର୍ଣ୍ଣବୀଣାକୁ କାନ୍ଧରେ ରଖିପାରିବେ, ତାହା ହିଁ ମୋର ଚିନ୍ତାର ବିଷୟ । ତାଙ୍କ ବୀଣା ଉପରେ ମୁଁ କେବଳ ଅନ୍ତରର ଗଭୀର ଶୁଭାକାଙ୍କ୍ଷା ଅଜାଡ଼ି ବର୍ତ୍ତମାନ ନୀରବ ରହୁଚି ।। ଇତି ।।
ମାୟାଧର ମାନସିଂହ
ତା. ୧୩ | ୧ | ୪୬
ତରୁଣ ଉଦୀୟମାନ କବି ଶ୍ରୀମାନ୍ ବାଞ୍ଛାନିଧି ଦାଶଙ୍କର କେତେଗୁଡ଼ିଏ କବିତା ମୁଁ ପାଠ କରିବାକୁ ଓ ତାଙ୍କଠାରୁ ଶୁଣିବାକୁ ସୁବିଧା ପାଇଥିଲି। ତାଙ୍କର କବିତାରେ ଯେଉଁ ମର୍ମସ୍ପର୍ଶୀ ଭାବ ଆତ୍ମପ୍ରକାଶ କରିଅଛି, ତାହା ତାଙ୍କୁ ନିଶ୍ଚୟ ଯଶସ୍ୱୀ କରିବ। ଆଧ୍ୟାତ୍ମିକ, ନୈସର୍ଗିକ ଜାତୀୟ ଭାବ ଓ ସାଧାରଣ କଥା ବସ୍ତୁକୁ ତାଙ୍କର ଲେଖନୀ ଅତି ସୁନ୍ଦର ଭାବରେ ପରିସ୍ଫୁଟ କରିପାରିଛି । ଉତ୍କଳର ପୁରପଲ୍ଲୀରେ କବି ଯେଉଁ ଭାବର ଉଦ୍ଦୀପନା ଆଣିବାକୁ ଯାଉଛନ୍ତି, ତାହା ଆମର ଜାତୀୟ ଜୀବନକୁ ଅନେକ ପରିମାଣରେ ପ୍ରଭାବିତ କରିବ। ତାଙ୍କର ସଂସ୍କାରଗତ କବିପ୍ରତିଭା ଦେଖି ମୁଁ ଅତ୍ୟନ୍ତ ପ୍ରୀତିଲାଭ କରିଛି । ତାଙ୍କର ଅଧିକାଂଶ କବିତାର ପ୍ରତି ଛନ୍ଦେ ଛନ୍ଦେ ଅନ୍ତରର ଯେ ଅବ୍ୟକ୍ତ ବାଣୀ ଯେ ରୂପଧାରଣ କରିଛି, ତାହା ଆଧୁନିକ ତରୁଣ କବିମାନଙ୍କର ଲେଖାରେ କ୍ୱଚିତ୍ଦେଖିବାକୁ ମିଳେ।
ଶ୍ରୀ ବ୍ରଜବିହାରୀ ମହାନ୍ତି
ତା. ୧୫ | ୮ | ୪୬
ଶ୍ରୀମାନ୍ ବାଞ୍ଛାନିଧି ଦାଶ ଉଦୀୟମାନ ଯୁବକ କବି, ସ୍ୱଭାବିକତା ତାଙ୍କ କବିତାର ପ୍ରଧାନ ବିଶେଷତ୍ୱ । ହୃଦୟ-କନ୍ଦରରୁ କବିତା-ତଟିନୀ ଯେତେବେଳେ ଛନ୍ଦର ଯେଉଁ ସରଣୀ ଧରି ଛୁଟିଛି, ସେହି ସରଣୀରେ ତାକୁ ଛାଡ଼ିଦେଇ ତହିଁରେ ତାଙ୍କ ଯୁବହୃଦୟର ଉଦ୍ଦାମ ସ୍ପନ୍ଦନ ସେ ଫୁଟାଇଚନ୍ତି । ଏହି ସହଜ ପ୍ରଭାବର ଅବକାଶରେ ଯେତିକି କଳା କବିତାରେ ଫୁଟିବାର ସମ୍ଭବ ତାହା ତାଙ୍କ କବିତାରେ ଫୁଟିଅଛି । ଏ ଯୁଗରେର ଜାତିର ହୃଦୟକୁ ଯେଉଁସବୁ ଭାବ ଆଲୋଡ଼ନ କରୁଅଛି, ସେସବୁକୁ ଶ୍ରୀମାନ୍ ବାଞ୍ଛାନିଧି ନବୀନ ଛନ୍ଦରେ ଓ ସରଳ ତରଳ ଭାଷାରେ ପ୍ରକଟନ କରୁଅଛନ୍ତି। ଭାବ ଓ ସ୍ୱଭାବିକତା ଘେନି ତାଙ୍କ କବିତା ସର୍ବତ୍ର ଆଦୃତ ହେବ ବୋଲି ମୁଁ ଆଶା କରୁଅଛି । ତାଙ୍କର ଉଚ୍ଚ ଦରର ସହଜ କବି-ପ୍ରତିଭା ଅଛି । ତହିଁର ଉପଯୁକ୍ତ କର୍ଷଣ ନିମନ୍ତେ ଯେଉଁ ପୃଷ୍ଠପୋଷକତା ଆବଶ୍ୟକ ତାଙ୍କୁ ସେ ପୃଷ୍ଠପୋଷକତା ମିଳୁ, ଏହା ହିଁ ମୋର ତାଙ୍କୁ ଆନ୍ତରିକ କଲ୍ୟାଣ । ପ୍ରଭୁ ତାଙ୍କୁ ଚିରଜୀବୀ ଓ ଯଶସ୍ୱୀ କରନ୍ତୁ ।
ଶ୍ରୀ ବିଛନ୍ଦଚରଣ ପଟ୍ଟନାୟକ
କଳିଙ୍ଗ ଭାରତୀ, କଟକ
ତା. ୮ | ୮ | ୪୬
ଉଦୀୟମାନ ଯୁବକ କବି ଶ୍ରୀଯୁକ୍ତ ବାଞ୍ଛାନିଧି ଦାଶଙ୍କର କବିତାଗୁଡ଼ିକ ଯେ ଥରେ ପଢିବ, ସେ ଭୁଲିପାରିବ ନାହିଁ । କବିତାଗୁଡ଼ିକ ପ୍ରାଣ ଦେଇ ଲେଖା, କବିତ୍ୱର ଗୋଟିଏ ସ୍ୱତଃ ସ୍ଫୁରଣ ତାଙ୍କ ପ୍ରତ୍ୟେକ କବିତା ଭିତରୁ ଉଙ୍କିମାରୁଛି ।
‘ଚାରିଦିନ ଭୋଖିଲା’ ଓ ‘ତର୍ପଣ’ ଏ ଦୁଇଟି କବିତା ବିଶେଷରେ ମୋର ଅନ୍ତଃକରଣକୁ ପ୍ଳାବିତ କରି ଦେଇଛି । ସାଧନା ଓ ସୁଯୋଗ ପାଇଲେ, ସେ ଯେ ଦିନେ ଓଡ଼ିଶାର ସର୍ବଶ୍ରେଷ୍ଠ କବି ହୋଇ ଉଠିବେ, ଏ କଥା ମୋତେ ଖୁବ୍ ସମ୍ଭବ ଜଣାପଡ଼ୁଛି ।
ଶ୍ରୀ ଜଗତ୍ବନ୍ଧୁ ମହାପାତ୍ର
ତା. ୨୧-୧୧-୪୬
୧ । ପ୍ରଣତି
୨ । ରବୀନ୍ଦ୍ର ଅର୍ଚ୍ଚନା
୩ । ଶେଷ ଯାତ୍ରୀ
୪ । ପ୍ରେମିକ ଓମାର
୫ । ଚାରିଦିନ ଭୋଖିଲା
୬ । ଆବାହନ
୭ । ତର୍ପଣ
୮ । ବିଶ୍ୱବିଜେତା
୯ । ପ୍ରେମର ବିଜୟ
୧୦ । ସନ୍ଧ୍ୟାରେ ବ୍ୟଥା
୧୧ । ଗୋଧୂଳି ସ୍ମୃତି
୧୨ । ସ୍ୱପ୍ନ-ସଙ୍ଗିନୀ
୧୩ । ମାଧବିକା
୧୪ । ଆଷାଢେ କୂଜନ
୧୫ । ମାନସ କୁଞ୍ଜରେ କୋଇଲି ଡ଼ାକେ
୧୬ । ସରାଗ ଭିକ୍ଷୁ
୧୭ । ବିଦାୟ ଚମ୍ପକ
୧୮ । ସରାଗ ଜଗତେ ସାର
୧୯ । ନିଶୀଥ
୨୦ । ଝିଙ୍କାରି
୨୧ । ପୂଜାରିଣୀ
୨୨ । ନୀରବ ମିନତୀ
୨୩ । ଭଲପାଇବାର ଲାଗି ଭଲପାଏ ଖାଲି
୨୪ । ଶ୍ମଶାନ
୨୫ । ବେଳଜାଣି
୨୬ । ସ୍ତବ ସଙ୍ଗୀତ (୧)
ସ୍ତବ ସଙ୍ଗୀତ (୨)
ସ୍ତବ ସଙ୍ଗୀତ (୩)
ସ୍ତବ ସଙ୍ଗୀତ (୪)
ସ୍ତବ ସଙ୍ଗୀତ (୫)
୨୭ । ସନ୍ଧ୍ୟାଗୀତି
୨୮ । ସୁଦୂର ବଂଶୀ
୨୯ । ସିନ୍ଧୁ ପ୍ରତି –
୩୦ । ଶିଳ୍ପର ଆତ୍ମଦର୍ଶନ
୩୧ । ତରକି ପଳାନା ହରିଣ ଶିଶୁ
୩୨ । କାବ୍ୟ ଛାୟା
୩୩ । ସ୍ୱର୍ଣ୍ଣପକ୍ଷୀ
କିରଣ ତବ ବିଶ୍ୱପଟେ ବିପୁଳ ଛବି ଜାଗେ
ଚରଣେ ତବ ଚନ୍ଦ୍ରଭାନୁ କରୁଣା- ଭିକ୍ଷା ମାଗେ ।
ରୂପପରଦା ଅନ୍ତରାଳେ ବଂଶୀ ତବ ବାଜେ
ଛାନ୍ଦେ ତବ ନିତ୍ୟ ନବ ମଞ୍ଜୁଛବି ସାଜେ ।
ଅରୂପକର ସ୍ପର୍ଶେଖେଳେ ରୂପ ଊର୍ମିମାଳା
ଗନ୍ଧହୀନ ହସ୍ତେ ଭରା ଗନ୍ଧଭରା ଥାଳା ।
ଅରସ ହୋଇ ରସର ଧାରେ ଭସାଅ ଯେବେ ବିଶ୍ୱ
ତମରି ରସ ପ୍ରଣତି ନିଅ କି ଦେବି ଚିର ନିଃସ୍ୱ ।
ଉଆଁସ – ବୋଳା ଧୁମ୍ରନଭେ
ଶୁଭିଲା ଯାର ମନ୍ଦ୍ର ଡ଼ାକ
ଲୁପ୍ତନିଶା ହେଲାଣି ଏବେ
ସୁପ୍ତଧରା ଜାଗରେ ଜାଗ ।
କର୍ମ – ପଥେ ଧର୍ମରଥେ
ମର୍ମେ ମର୍ମେ ଭରରେ ତାନ
‘ସତ୍ୟଶିବ ସୁନ୍ଦର’ ଯେ
ଗାଅରେ ତାର ପ୍ରେମର ଗାନ ।
ନିଖିଳ କାନେ ବାଜିଲା ଯାର
ବ୍ରାହ୍ମ ବେଳେ ବ୍ରହ୍ମକଥା
ବିଶ୍ୱଗୁରୁ ଚରଣ ତଳେ
ନମ୍ର ଆଜି ନିଖିଳ ମଥା ।
ଲେଖନୀ ଯାର ଚିତ୍ର ଦେଲା
ଅରୂପର ସେ ମଞ୍ଜୁଛବି
ଅରୂପେ ଦେଲ କାନ୍ତଆଭା
ସ୍ରଷ୍ଟା ତୁମେ ଧନ୍ୟ କବି ।
ସାଗର ତାଳେ ସମୀର ତାନେ
ମୁକ୍ତପକ୍ଷୀ ବଂଶୀତାନେ
ଫୁଲ ହସେ ନିଖିଳ ଭାଷା
ବୁଝିଲ ଯେବେ ପ୍ରାଣେ ପ୍ରାଣେ ।
କାବ୍ୟ ଛନ୍ଦେ ଦେଲ ହେ ପଥ
ବୁଝିଲ କବି ନିଖିଳ ବ୍ୟଥା
ବିଶ୍ୱକବି ଚରଣ ତଳେ
ନମ୍ର ଆଜି ନିଖିଳ ମଥା ।
ଲେଖନୀ ମୁନୁଁ ଝରିଲା ଯା’ର
ଏଇ ଜାତିର ରୁଦ୍ଧ ଭାଷା
ଉଦୟେ ଯା’ର ପ୍ରାଚ୍ୟ କୋଳେ
ଖୋଲିଲା ଯୁଗ-ଊଷାର ଆଶା ।
ମୁକ୍ତିର ଯା’ ମାଭୈନାଦ
ଥରାଇ ଦେଲା ତରୁଣ ବକ୍ଷ
ସାମ୍ୟ ମୈତ୍ରୀ ମନ୍ତ୍ରେ ଯା’ର
ଏ ଜାତି ତା’ର ଲୋଡ଼ିଲା ଲାକ୍ଷ୍ୟ ।
ଆଲୋକ ତବ ଏ ଜାତି ବିଶ୍ୱେ
ଗଗନ-କୋଳେ ଚନ୍ଦ୍ର ଯଥା
ଭାରତ ରବି ବିଶ୍ୱରବି
ଚରଣେ ନମ୍ର ବିଶ୍ୱମଥା ।
ବିଶ୍ୱପ୍ରେମୀ ବିଶ୍ୱସେବୀ
ବିଶ୍ୱଗୁରୁ ବିଶ୍ୱକବି
ଅସ୍ତ ତବ ନାହିଁ ତ କେବେ
ତୁମେ ତ ଚିରି ଦୀପ୍ତରବି ।
ମୃତ୍ୟୁର ସେ ତୋଫାନ’ ଝଞ୍ଝା,
ମୁକର ଆସେ ଗଲାଣି ଚାଲି
ପୂର୍ଣ୍ଣରବି ଆଲୋକ ଝର
ବିଶ୍ୱଶିରେ ଦିଅ ହେ ଢାଳି
କି ଦେବି ପୁଜ୍ୟ ମର୍ତ୍ତ୍ୟ-ଶିଶୁ
ତୁମରି ପଦେ ଯୋଗ୍ୟ ଯଥା
ବଦ୍ଧକରେ ନୟନ- ଝରେ
ଭକ୍ତିଭରେ ନମ୍ରମଥା ।
ଯାତ୍ରୀ !
ଅବସାନ ଜୀବନର ଶେଷ ଝଡ଼ରାତ୍ରି,
ଚିତ ନିର୍ଯାତନ କରି ଜୀବନ ପାଥେୟ,
ମରଣକୁ କରିଗଲ ଏକମାତ୍ର ସାଥୀ ।
ସହସ୍ର ଶହୀଦ ସଙ୍ଗେ ସେ ରାଇଜେ
ତମର ମିଳନ
ଏ ମାଟିର ଶିଶୁପ୍ରାଣେ ଦେଲ ତମେ
ମୁକ୍ତିର ସ୍ପନ୍ଦନ ।
ଗୁଳି-ମୁହେଁ ଫାଶିକାଠେ
ଲେଖିଲ ହେ
ମୁକତିର ନୀରବ କାହାଣୀ
କୋଟି ବୁକୁ ତଳେ ନାଚେ
ତମରି ସେ
ଧୁଳିଶେଯେ ଅନ୍ତିମ ଚାହାଣୀ ।
ଘେନିଲ ସହସ୍ର କରୁଁ ପ୍ରେମ-ପୁଷ୍ପାଞ୍ଜଳି
ତୁଟାଇଛି ଆଜି ଘନ ଦାସତ୍ୱ ତମିସ୍ରା
ହେ ଶହୀଦ ତବ ଆତ୍ମବଳି ।
ହେ ଆଲୋକ ଯାତ୍ରି
ତମ ଯୋଗୁଁ ଅବସାନ ଶେଷ ଝଡ଼ରାତ୍ରି।
ବିଜୟ- ନିଶାଣ ତଳେ
ଏ ଜାତିର ମୁକତି – ଅର୍ଚ୍ଚନା
ଦେଖିବ ଅମ୍ବର-ପଥେ
ତୃପ୍ତ ହେବ ଅତୃପ୍ତ ବାସନା
ସହସ୍ର ମଡ଼ାର ଏଇ ମଶାଣିର ଅଙ୍କେ
ମାଟି ସଙ୍ଗେ ମାଟି ସତ ପାଲଟିଛି କାୟା
ଆଲୋକର ପଥେ ତବ, ଯେ ଆତ୍ମା ଅଗ୍ରଣୀ
ଭିଡ଼ି କି ପାରିବ ତାକୁ ଏ ମାଟିର ମାୟା ?
ଏ ରାଇଜ ପ୍ରାନ୍ତେ ତମେ
ତୋଳିଛ ଯେ ଆଲୋକର ସ୍ତମ୍ଭ
କଢାଏ ସରଣୀ ଆଜି
ସହସ୍ର ପଥିକେ,
ଅନ୍ଧକାରେ ସଢି କଲ ଆଲୋକିତ ସର୍ବ ।
ନୀରବ ଇଙ୍ଗିତ ତବ ନୀରବ ଚାହାଣୀ
ଏ ଜାତିର ସୁପ୍ତ ପ୍ରାଣ କରିଛି ଜାଗ୍ରତ
ଉଷାର ଡ଼ଗରା ତମେ ବଜାଇଛ ଭେରୀ
ବାଜେ ଏବେ ମୁକ୍ତି-ରବି ବାଜଣା ସ୍ୱାଗତ ।
ଓମାର ଖାୟାମ, ଓମାର ଖାୟାମ
ଧନ୍ୟ ତୁମର ଅମର ନାମ,
ଧରଣୀର କାନେ ତମର କଥା
ବାଜିଛି; ନଇଁଛି ମରଣ-ମଥା
ସରାବ ପିଆଲା ହାତେ
ରସିକା ବଧୂର ସାଥେ
ତରୁ-ତଳେ ବସି ଗାଇଲ ଯେ ଗାନ
ପୀରତି-ମଦିରା ବୋଳା
ହଜାର ବରଷ ତଳ ମଣିଷକୁ
ଚକିତେ ପିଛାଡ଼େ ଡ଼ୋଳା ।
କି ଗୀତ ଗାଉଛି କବି
ବର୍ଣ୍ଣ ନୟନ ଏକକରି ଦେଖେ
ଓମାର ତମର ଛବି ।
ଧର୍ମଧ୍ୱଜାର ଅନ୍ଧ ଦୋହାକୁ
ଦେଇ ନ ଥିଲ ତ କାନ
ଦ୍ରାକ୍ଷା ବଧୁର ବଧୁଲି ଅଧରୁ
ବୁକୁଭରା ମଧୁପାନ
ତଟିନୀ ପୁଲିନେ ବସି
ପ୍ରେୟସୀର ପାଶେ ହସି
ଗାଇଥିଲ କବି ପ୍ରେମର କବିତା
ପ୍ରେମର ବିଜୟ- ଗାନ
ତୁଚ୍ଛ ମଣିଛ ତହିଁ ତମେ କବି
ସୁଲତାନ ଧନମାନ ।
ସ୍ୱର୍ଗନରକ ଏକ ହିଁ ସ୍ରଷ୍ଟା
ପୁଣ୍ୟ ପାପର ଏକହିଁ ବାର୍ତ୍ତା
ସେହି ଯେ ମୂର୍ତ୍ତମାନ
ନିରେଖିଛ ତୁମେ ପୂର୍ଣ୍ଣ ନୟନେ
ଶାଶ୍ୱତ ଭଗବାନ ।
କହିଲ, ‘‘ହ ଭଗବାନ,
ଦୁଗ୍ଧ ପ୍ରାଣର କ୍ଷମା ନିଅ ପୁଣି
କରତାକୁ କ୍ଷମାଦାନ ।’’
‘ଅତୀତ’ ସେଇତ ଯାଇଛି ଚାଲି
‘ଭବିଷ୍ୟ’ ତା’ଲାଗି ଭାବନା ଖାଲି
‘ଅଧୁନା’ର କଲ ପୂଜା
ଉଡ଼ାଇ ପ୍ରେମର ଧ୍ୱଜା
ପିଆଲା ଭରିଲା ‘ସାକୀ’
ପୀରତି-ମୁଗ୍ଧ ଆଖି
ପିଇଲ ସରାବ ପୀରତି ମଦିରା
ବିଭୋର କହିଲ ସଖି ।
ନ ଭୁଲିବ ଏଇ ଚରମ ମିନତି
ଥିବ ଗୋ ମାନସେ ରଖି ।
ଗୋଲାପୀ ଚରଣ ଚାଲିବ ତମର
ସବୁଜ ଘାସେ ମୋ କବର ପରେ
ରଖିବ ଓଲଟ ସରାବ ପିଆଲା
ମୃଗ ନୟନେ ଚାହିଁବ ଥରେ
ସେ ଦିନ ଉଠିବି ନବ ଜୀବନରେ ଚେଇଁ
ତମରି ପ୍ରେମର ମାତାଲ ସଙ୍ଗୀତେ
ଛନ୍ଦ ମିଳାଇ ଦେଇ
କବରେ ତୁମର ଗୋଲାପ ଫୁଟିଛି
ମାତାଲ ମଧୁରୀ ବିଭୋର ରଟିଛି
ଓମାର ଖୟାମ, ଓମାର ଖାୟାମ,
ଧନ୍ୟ ପ୍ରେମିକ ଅମର ନାମ ।
ଚାରିଦିନ ଭୋକିଲା
ପେଟେ ତାର ନାହିଁ ଦାନା
ଆଖି ମୁହଁ ଶୁଖିଲା
ଆଖିରେ ଧରିବ ତାର ପୋଷେ ପୋଷେ ଚାଉଳ
ହାତ ଧରି ଆଗେ ଚାଲେ ଟିକି ଝିଅ ବଉଳ
ପାଦେ ଗଲେ ଥକି ପଡ଼େ ବସେ ଦଣ୍ଡେ ଘଡ଼ିଏ
ଚିରା ଗଇଁଠାଳେ ବନ୍ଧା ଚୁଡ଼ା ଛୋଟ ପୁଡ଼ିଏ
‘‘ଖାଆ ଲୋ ଦିଓଟି ମା’ ପିନ୍ଧା କାନି ଫିଟାଇ
ଭାଗ୍ୟରେ ବିଧାତା ପଛେ ଯାହା ଥାଉ ଘଟାଇ
କାଲି ସକାଳରୁ ହେଲା ଆଜି ପୁଣି ସକାଳ
ତିନି ଦିନ ତଳେ ଖାଇଥିଲୁ ଗଣ୍ଡେ ପଖାଳ ।
ସୁନାର ଲତାଟି ମୋର ପଡ଼ିଲାଣି ଝାଉଁଳି
ଦିଓଟି ପାଟିରେ ଦେଇ ଢୋକେ ପିଇ ବାଉଳୀ ।’’
ପାଟି ଓଠ ଅଠା ଅଠା ପଡ଼େ ଉଠେ ପଞ୍ଜରା
ମିଶି ଯାଏ ପେଟ ପିଠି ନଇଁ ପଡ଼ି ବସିଲା
ଚାରିଦିନ ଭୋଖିଲା ।
‘‘ବାବୁ ହେ, ଚାରିଦିନ ଭୋଖିଲା
ମନ୍ଦିର ତୋରାଣି ଦିଅ
ଦିପହର ଟପିଲା ।
ଝାଇଁ ଝାଇଁ କାନମୁଣ୍ଡ ଆଉ ନାହିଁ ସାହସ,
ଷାଠିଏ ବରଷ ବୁଆା ଉଡ଼ିଲାଣି ଫାକାସ,
ନଅ ବରଷର ମୋର ଝିଅ ମାଆ ଛେଉଣ୍ଡ,
ଚାଲି ନ ପାରିବି ବାବୁ ଆଉ ଏକ ପହଣ୍ଡ,
ଉଛୁଣିକା ଆସିଲାଣି ପେଟମରା ବେମାରି,
ଆଉ ନ ପାରିବି ବାବୁ ଦଣ୍ଡେ ହେଲେ ସମ୍ଭାଳି
’ବାପା ଲୋ’ ମଲି ଏଥର ମୋର କାଳ ସରିଲା’’
ଷାଠିଏ ବରଷ ବୁଢା ଆଖି ଖୋଷି ପଡ଼ିଲା
ଚାରିଦିନ ଭୋଖିଲା
ବେଳଆସି ରତ ରତ
ସଞ୍ଜବାଆ ବହିଲା ।
ଉଡ଼ିଗଲେ ପଲ ପଲ କେତେ ପରା ଚଢେଇ
ଗୋରୁ ପଲ ଚାଲିଗଲେ ବାଟେ ଧୁଳି ଉଡ଼େଇ
ଗାଆଁମୁଣ୍ଡ ପଡ଼ିଆରେ ଝଙ୍କାବର ତଳରେ
ଆଖି ଖୋଷି ପଡ଼ିଅଛି ବୁଢା ଶେଷ ନିଦରେ
ଛାତି ପରେ ଢଳିଅଛି କଅଁଳ କା’ ମୁହଁଟି
ମୁକୁତା ଥୋପାଟି ପରି ଏକ ଟୋପା ଲୁହଟି
ଝାଉଁଳା ଗୋଲାପ କଢେ ସେତ ଟୋପା କାକର
ରଙ୍ଗ ମୁହଁ ସଞ୍ଜବେଳେ, ଶେଷ ଟୋପା ଆଖିର
କିଆବଣେ ହୁକେ ହୁଆ ସଞ୍ଜଘଣ୍ଟା ବାଜିଲା
ଭୋଖିଲାର ଦେଉଳରେ ଶେଷ ପୂଜା ସରିଲା,
ଚାରିଦିନ ଭୋକିଲା ।
ଦାନା ମୁଠେ ନାହିଁ ପେଟରେ ଯାହାର
ମଶାଣି ଭୂଇଁକୁ ଠାରଇ ଆଖି
ଭାତମୁଠା ଲାଗି ହାତପାତି ଚାହେଁ
ମରଣକୁ ଯେବେ ରଖଇ ସାକ୍ଷୀ
ଖରା ବରଷାରେ କନା ନାହିଁ ଦେହେ
ବୁକୁ ଧୂପ ଢାଳି ରଚଇ ତପ
ଆଖିର ତାତିଲା ଲୁହ ଢାଳି ଢାଳି
ମରଣ-ଗାୟତ୍ରୀ କରଇ ଜପ ।
ରୋଗ ମଡ଼କର ଶିକାର ହୋଇଛି
ଜୀଅନ୍ତା ପିଶାଚ ଛୁଇଁଛି ଯାକୁ
ସେହି ଅଧମରା ଜନତା ଚାଲଇ
ତୋର ଆବାହନ ସଜାଇବାକୁ ।
କଙ୍କାଳ ସାର ଜନତା-ଦୁଆରେ
ଦୁର୍ଗେ, ସତେ କି ଆସିଛ ଧାଇଁ ?
ଛାତି-ଲହୁ ତାଡ଼ି ବଳି ଦେଉଅଛି
ତୋର ଶତଚଣ୍ଡୀ ବାହିନୀ ପାଇଁ ।
ରାମଙ୍କର ଏକ ନୟନ ବଳିରେ
ହୃଦୟ ତୋହର ଥରିଲା ଯେବେ
କଙ୍କାଳ ସାର ଜନତା କୁହାଟ
କାନେ ତୋର ଶୁଭେ ନାହିଁ କି କେବେ ?
ଶୁଣ ଆଜି ବାରେ ଶୁଣ ଆଜି ବାରେ
ଜନନୀ କୋମଳ ହୃଦୟ ତୁହି
ପାଷାଣୀ ସାଜନା ପାଷାଣୀ ସାଜନା
କୋଟି ଶିଶୁ ଲୋଟେ ମଶାଣି ଭୁଇଁ ।
ଘେନ ଗୋ ଦୁର୍ଗେ ଭୋକିଲା ଅରଘ
ଘେନ ନୟନର ତାତିଲା ଲୁହା
ଦୁର୍ଗେ ଗୋ ଆଜି ଦୁର୍ଗତି ହର
ସେଇ ନୀରେ ତବ ଚରଣଧୁଅ ।
ଚାହୁଁ ଚାହୁଁ ଗଲା ନଅ ଦିନ ବିତି
ରାତିପାହି ଆସେ ଆଜି ତ ଦଶ
ଏଇପରି ଯିବ ମାସ ମାସ ବିତି
ବରଷରୁ ଯିବ ବିତି ବରଷ ।
ଦିନ ମାସ ବର୍ଷ ଦୂରତା ବିଧାନେ
ତୋଠାରୁ ଦୂର କି ପାରିବ କରି
କାଳ ବ୍ୟବଧାନ ଯେତେ ବେଶୀ ହେବ
ତେତେ ମୁଁ ନିକଟ ହେବି ତୋହରି ।
କାଳ ଦରିଆରେ ସ୍ୱର୍ଣ୍ଣ- ଯଉବନ
ଜୀର୍ଣ୍ଣଜରା ଦ୍ରୁତ ବୋଇତେ ବସି
ଯିବି ଖେଳି ଖେଳି କେତେ ସାଥୀ ସଙ୍ଗେ
ମନ ଫୁଲାଣିଆ ସଂଗୀତେ ରସି ।।
ଯେଉଁଠି ଦେଖିବ ବୋଉ ଲୋ ମୋହର
କର ପାତି ମୋତେ ଡ଼ାକୁଛୁ କୋଳେ
କେଉଁ ସାଥୀସଙ୍ଗେ ନ ଯିବିଟି ଭୁଲି
ଡ଼େଇଁ ପଡ଼ିବି ତୋ ସ୍ନେହର କୋଳେ ।
ହସି ହସି କୋଳେ ଘନି ମୋତେ ତୁଇ
ଦେଖାଇବୁ ସେଇ ଅମରଧାମ
ସେ ଅଚିହ୍ନା ଦେଶେ ଚିହ୍ନି ନ ପାରିବି
ଜାଣି ନ ପାରିବି କାହାରି ନାମ ।
ଗୋଟି ଗୋଟି ମୋତେ ଚିହ୍ନାଇ ଦେବୁ ତୁ
ସେ ଦେଶର ବଣ ପାହାଡ଼ ନଈ
ସେ ଦେଶ ବଗିଚା ଫୁଲ ଫଳ ଭରା
ସମ୍ରାଟ ସେ ରାଜ୍ୟେ କିଏ ଅଟଇ ?
ଅଛି କି ସେ ଦେଶେ ରାଜା ପ୍ରଜା ଭେଦ
ରାଜା ପ୍ରଜା କଳି ଲାଗେ ନା ତହିଁ,
ପଡ଼େ ନା ସେ ଦେଶେ ରୋଗ ବା ମଡ଼କ
ସେ ରାଇଜେ ତୁଇ ରହିଛୁ ଯହିଁ ?
ସରବେ କହନ୍ତି ସରଗେ ଲାଗିଛି
ସଦା ମହାନନ୍ଦ ଅମୃତ ଖେଳ
ନାହିଁ ରାମ, ଦ୍ୱଷ, କୂଟ ପ୍ରତାରଣା
ଅଛି ସତ୍ୟ, ସୁକ, ପୀରତି ମେଳ ।
ପରତେ ନ ଯାଏ ମରତ ଶିଶୁ ମୁ
ତୋରଠୁଁ କେଳେ ଶୁଣିବି ଯେବେ,
ତୋ କଥାଟି ମୁହିଁ ବେଦଗାର ମଣେ
ଅବଶ୍ୟ ସତ ମୁଁ ମଣିବି ତେବେ ।
ସେ ରାଇଜ ସୁର ରମଣୀଙ୍କ ଆଗେ
ଦେଖାଇବୁ ମୋତେ କୋଳରେ ଘେନି
କହିବୁ, ‘‘ଭଉଣି, ଏଇ ପୁଅ ପାଇଁ
ଝୁରୁଥିଲା ପ୍ରାଣ ନୟନ ବେନି ।
ପରତେ ୟା’ଲାଗି ଝୁରି ଝୁରି ପରା
କଣ୍ଟା ହୋଇଥିଲା ତନୁ ମୋହର
ଦେଶ ଦଶ କାମେ ଲଢି ବୀରପଣେ
କାରାଗାରେ ଯେବେ ଗଲା ସେଥର ।
ଜନନୀ- ପରାଣ ଝରଣା ପରାୟ
ସନ୍ତାନ ଛେରେ ଧାଏଁ ସତତ
ଝୁରିଲା ପରାଣ, ଜାଣିଲେ ହେଁ ପୁଅ
କାରାବନ୍ଦୀ, ଧରି ମହତ ପଥ ।
ସେ ତ ଯାଇଥିଲା କାରା ତେଜି ମୋତେ
ତେଜି ମୁଁ ଆସିଲି ମୁଁ ତାହାକୁ ପୁଣି
ଧରା ନିର୍ବାସନେ କାଳର କଟାଳେ
ଏ ପୁଅ କାନ୍ଦଣା କାନ ନ ଶୁଣି ।
କି ପରିବି ଭଲା, କି ଥିଲା ମୋ ଚାରା
ମର୍ତ୍ତ୍ୟ-ସାଥୀ ମେଳ ଆସିଲି ଭୁଲି
ବୁଝିଥିଲି ପୁଅ ଆଗ ପଛ ହୋଇ
ଏଇ ରାଜ୍ୟେ ଦିନେ ଆସିବ ବୁଲି’’
ସେ ରାଇଜ ଫଳ ଫୁଲ୍ୱରିତ କେତେ
ମିଠା ମିଠା ଚିଜ ଥିବୁ ସାଇତି
‘କେବେ ପୁଅ ମୋର ଆସିବ ମୋ ପାଶେ’
ଏହା ଭାବି ମୋର ପଥ ଚାହିଁକି ?
ବସିଥିବୁ ଯେବେ ଦେଖିଲେ ମୋତେ ତୁ
ଖୋଇଦେବୁ ବୋଉ କୋଳରେ ଧରି
ସରଗେ ଆସିବ ମରତର ସ୍ମୃତି
ମର୍ତ୍ତେଥିଲୁ ସ୍ୱର୍ଗ ମାଆ ମୋହରି ।
କହନ୍ତି ଜଗତେ, ସ୍ୱର୍ଗ ସୁଖଠାରୁ
ଜନନୀ ସେନେହ ପଡ଼ଇ ବଳି
ତୁହି ମୁହିଁ ବୋଉ ସ୍ୱର୍ଗେ ଥିଲେ ବେନି
କେଉଁଟି ବଡ଼ କି ପାରିବ କଳି?
ଦ୍ଵିଗୁଣ ଆନନ୍ଦେ ସୁରଶିଶୁ ସଙ୍ଗେ
ତାଳିମାରି ମୁହଁ ଖେଳିବି ହସି
ଦେଖୁଥିବୁ ବୋଉ ସୁରନାରୀ ମେଳେ
ମୋର କଉତୁକ ଆନନ୍ଦେ ରସି ।
ବିଜୟ- ମୁକୁଟ ସତ ନାହିଁ ତବ ଶିରେ,
ଅରାତିର ବକ୍ଷଭକ୍ତେ ଯାହାଟି ଲାଞ୍ଛିତ,
ଅନ୍ତିମ ଲୋତକ ଜଳେ ଯାହାର ମାଜଣା,
ବିଜିତର ରକ୍ତବିନ୍ଦୁ, ରଞ୍ଜିନାହିଁ ଭାଲେ,
ତୀକ୍ଷ୍ଣ ଆସି ମୁନେ ଭୁଷି ମାନବର ବକ୍ଷ
କର୍ଦ୍ଦମାକ୍ତ କରିନାହିଁ ରାଜପଥ ଧୁଳି ।
ସବୁ ସୁନ୍ଦର ଧରା ନିସର୍ଚ ବିଧାନ
ସୃଜି ନାହିଁ ଭସ୍ମବୋଳା ବିକଟମଶାଣି ।
ସହସ୍ର ଅବଳା କଣ୍ଠେ ହାୟ ଆର୍ତ୍ତନାଦ,
ଦେଇ ନାହିଁ ବୈଧବ୍ୟର ଚିର ନିର୍ଯାତନ,
ଜାଣି ନାହିଁ ରାନୀତି-କୁଟ- ପ୍ରତାରଣେ,
ହିଂସା ବର୍ବରତା ଯେଉଁ ବୀରୋଚିତ ଭାବ
ସେ ଯଶ-ସିନ୍ଦୁର ତୁଚ୍ଛ, ଫିଙ୍ଗିଅଛ ଦୂରେ,
ଅର୍ଦ୍ଧଲଗ୍ନ, ଜରାଜୀର୍ଣ୍ଣ, ଲଗ୍ନ ପଦଚାରୀ
ଜଗତ ବନ୍ଦଇ ଆଜି
ତମେ ବିଶ୍ୱ ଜୟୀ ।
ହସି ହସି ବଇରୀକୁ ନେଇଅଛ କୋଳେ
କନ୍ଦୁକ କୃପାଣ ମୁଖେ ପତାଇଛ ଛାତି,
ଅନ୍ଧକାର କାରାବକ୍ଷ କରିଛ ବରଣ,
ପିନ୍ଧିଛ ଲୁହାର ବେଡ଼ି ପୁଷ୍ପମାଳ ସମ,
ଅବରୁଦ୍ଧ, ଯଥା ବନ୍ଦି ପିଞ୍ଜରେ କେଶରୀ ।
ବିଶ୍ୱ ଦୁଃଖେ କାନ୍ଦି ଉଠେ ନିରତ ଅନ୍ତର
ବିଶ୍ୱପତି ପଦେ ଲୋଡ଼ କରପାତି ଭିକ୍ଷା-
ସବୁଜ ସୁନ୍ଦର ଧରା ରାଜୁ ଚିରକାଳ,
ମୁକ୍ତି ଶାନ୍ତି ପ୍ରଗତିର ବିଜୟ କେତନ
ଉଡ଼ୁ ଫରଫର ବିଶ୍ୱେ, ଚିରକାଳ ଲାଗି,
ପଶୁତ୍ୱର ଅବସାନ ହେଉ ତାର ସାଥେ।
ସତ୍ୟ ଦୟା ସାରଲ୍ୟର ମୂର୍ତ୍ତିମାନ ଯେବେ,
ଚିନ୍ମୟ ଅମୃତ ସଦା ଭରା ତବ ପ୍ରାଣେ,
କିବା ଲୋଡ଼ା ଜଡ଼ ଅସ୍ତ୍ର ଆରତ୍ମରକ୍ଷା ଲାଗି,
ରିକ୍ତ ହସ୍ତ ସତ, ତମେ ହେ ବିଶ୍ୱବିଜେତା ।
ପ୍ରେମମୟ
ନୁହେଁ ତ କଠୋର ଫାଶ ହୋଇଛୁ ମୁଁ ଛନ୍ଦି,
ନୁହେଁ ତ ପଥକାରୀ କିନ୍ତୁ ମୁହିଁ ବନ୍ଦୀ,
ଅନୁଭବେ ପ୍ରାଣେ ସତ ନ ଦେଖେ ନୟନ
କଠୋରୁ କଠୋରତର ମୃଦୁ ମୃଦୁତମ,
ତବ ପ୍ରେମ କାରା ତବ ଅଚ୍ଛେଦ୍ୟ ବନ୍ଧନ
ଭିଡ଼ି ରଖିଅଛି ପ୍ରିୟ ନିଖିଳ ଜୀବନ ।
ପ୍ରେମେ ବନ୍ଧା ରବିଶଶୀ ଜ୍ୟୋତିଷ୍କସକଳ,
ପ୍ରେମେ ତବ ଊର୍ମିଛନ୍ଦେ ନାଚେ ସିନ୍ଧୁଜଳ,
ପ୍ରେମେ ବରଷେ ଜଳଦ, ଝରେ ସ୍ରୋତସ୍ୱତୀ.,
ପ୍ରେମେ ଫୁଲ ଫୁଟେ ବୃନ୍ତେ ଗୁଞ୍ଜେ ମଧୁକର,
ପ୍ରେମେ ଛୁଟେ ସିନ୍ଧୁପଥେ ଗିରିକନ୍ୟା ଝର,
ତପନ ପ୍ରଚଣ୍ଡ ତେଜ ଜ୍ୱଳନକୁ ଜିଣି,
ତାର ବକ୍ଷେ ତବ ପ୍ରେମ ଛବି ସରୋଜିନୀ,
ଚାହିଁ ହସେ ଚଣ୍ଡରଶ୍ମି କରେ ଆଲିଙ୍ଗନ
ପ୍ରେମେ ମଣେ ଅନଳକୁ ଶୀତଳ ଚନ୍ଦନ,
ଦୁଇ ଅନ୍ତରୀକ୍ଷେ ସେ ତ ରହିଅଛି ଚାନ୍ଦ,
କମଳିନୀ ମଣେ ରବି ଝରେ ତାର ପାଇଁ ।
କଠିନ କର୍କଶ ପ୍ରେମେ କୋମଳ ମଧୁର,
ଉଷ୍ମ ସୁଶୀତଳ ଲାଗେ, ପାଶ, ପ୍ରେମେ ଦୂର,
ତୁଟାଏ ଦାମ୍ଭିକ ଦମ୍ଭ ଗୁରୁଲଘୁ ତର,
କରଇ, ଝରାଏ ପ୍ରେମ ଶୁଷ୍କୁ ଜଳଝର,
ପ୍ରେମେ ହସେ ପ୍ରେମେ କାନ୍ଦେ ବିଶ୍ୱ ଜୀବଚୟ
ଚୌଦିଗେ ନାଚଇ ତବ ପ୍ରେମ-ରୂପମୟ ।
ଅନାଦି ଅନନ୍ତ ପ୍ରେମ ପ୍ରେମହିଁ ଶାଶ୍ୱତ,
ସତ୍ୟ, ପ୍ରେମର ବିଜୟ ଏ ବିଶ୍ୱଜଗତ,
ପ୍ରେମ ସୃଷ୍ଟି ପ୍ରେମେ ସ୍ଥିତ ପ୍ରେମର ବିଲୟ ।
ଚିରକାଳ ଗାଏ ବିଶ୍ୱ ପ୍ରେମର ବିଜୟ ।
ଆଗୋ ସନ୍ଧ୍ୟା
ତମରି ଏ ରଙ୍ଗ ଛବି ଦେଖି
ନୟନ ଚାହାଁଣୀ କିଆଁ ହୁଏ ଗୋ ଉଦାସ,
ମନଫୁଲାଣିଆ ମୋର ଆବେଗ ରାଗିଣୀ
କମିଆସେ ଧୀର ଧୀର ପାଇ ସେ ଆଭାସ,
ପ୍ରାଣେ ଫୁଟେ ଅତୀତର ମଧୁର କାହାଣୀ
ଚଳଚିତ୍ରେ ନାଚେ କା’ ଉଦାସ ଆଖି
ତମରି ଏ ରଙ୍ଗ ଛବି ଦେଖି ।
ଆଗୋ ସଂଧ୍ୟା ।
ତମରି ଏ କାକଳି-ସଂଗୀତ
କାନେ ଅଜଣାରେ ଆଣେ କାହାର ମୁର୍ଚ୍ଛନା,
ନିଭୃତ କନ୍ଦରେ ବାଜେ ବ୍ୟଥାର ବିପଞ୍ଚି,
ବେଦନାର ମୂର୍ତ୍ତି ମୋତେ କରେ ଗୋ ଭର୍ତ୍ସନା,
ଢାଳେ ବେଦନାର ଅଶ୍ରୁ, ଯାହାଥିଲା ସଞ୍ଚି,
ଅବଶ କରଇ ପ୍ରାଣ ସେ ସ୍ୱର ଇଙ୍ଗିତ,
ତମର ଏ କାକଳି – ସଂଗୀତ ।
ଗୋଧୂଳିର ତୀରେ ଆହେ ଅସ୍ତଗାମୀ ରବି ।
କି କହିବି ତୁମ ଆଗେ ତୁମେ ବି ନ ବୁଝ,
ଗୋଧୂଳିର ଅବସାନେ କହ ତ କି ଛବି ?
ଚିତ୍ରିଯାଅ ଶସ୍ୟ ଲତା ପାଦପ ସବୁଜ ।
ପ୍ରାଣ କି ବ୍ୟଥା ଭରା ନୁହେଁ ଏ ସରାଗ ?
ମେଲିଦେଇ ହୃଦୟର ସବୁ ରଙ୍ଗ ପୋଡ଼ି,
ମିଶାଇ କରୁଣା-ପ୍ରେମ କନକ-ପରାଗ,
ଲେକ କିସ ଚକ୍ର ଲେଖା କହି ରବି ଫେଡ଼ି ?
ସେଇ ଚିତ୍ର ଲେଖିଥିଲି ମୁହିଁ ଯେବେ ଦିନେ,
ତୁମେ ଏକାଥିଲ ସାକ୍ଷୀ ନ ଥିଲେ ତ କେହି,
କଳକଳ କଲ୍ଲୋଳିନୀ, ତାହାର ପୁଲିନେ
ପ୍ରାଣର ବେଦନା ଛନ୍ଦ ତା ସଙ୍ଗେ ମିଳାଇ ।
ଚାରୋଟି ନୟନୁ ଯେବେ ଝରୁଥିଲା ବାରି
ତୁମରି ରଙ୍ଗିନ କରେ ଦେଲ ତ ସାନ୍ତ୍ୱନା
ଢଳିଲା ଯେବେ ସେ ସଜ ଲପନ-ଶେଫାଳି
ସାକ୍ଷୀ ଥିଲ ଯେବେ ଆଜ ନ କରି ବଞ୍ଚନା ।
ଆଜି ଏ ତଟିନୀ ତୀରେ ସେ ଛବି ସୁମରି
ଉଦାସ ନୟନେ ବଂଧୁ ବିଜନେ ବ୍ୟଥିତା
ଏଇ ଅସ୍ତ ଛବି ଚାହିଁ ଅଶ୍ରୁଥିଲେ ଝରି
ଶୁଣାଇବ କାକାଳୀରେ ଆଶାର କବିତା ।
ପନେ ଯେବେ ଆସି କହିଲ କେତେ କଥା
ମଧୁଚୋଳା ପରଶେ ହରିଲ ମୋର ବ୍ୟଥା
କେତେ ମଧୁର ସ୍ମୃତି ପୂଜା ଅରଘ- ବାରି
ଆଣିଥିଲ ଗୋ ଯେବେ ନୟନ କୋଣେ ଭରି
ଭରା ଅଞ୍ଜଳି ପାତି
ମିନତିଭାରା ଆଖି
ଢାଳିଲ ପୂଜାଫୁଲ ଅୟୀ ସ୍ୱପନସାଥୀ ।
ଅନ୍ତର ଖୋଲି ପ୍ରିୟେ କହିଲ ତମେ ଯାହା
ସୁବର୍ଣ୍ଣ ଲିପି ଦେଇ ରଖିଲି ଲେଖି ତାହା
ବୁକୁ- ଫଳକେ ମୋର ଝଲସେ ବାରବାର
ଯେତେ ପୋଛିଲେ କିଆଁ ନ ଲିଭେ ଳିପିଗାର
ସ୍ୱପନ ଗଲା ଚାଲି
ଗୋପନ ସୁଧା ଢାଳି
କି ମଦିରା ପାନେ ଗୋ ମତାଇ ଗଲ ଚାଲି।
ପ୍ରେମ ବେଦନାଭରା ଗାଇଲ ଯେ ରାଗିଣୀ
ଜୀବନ ସୁଅଧାରେ ତୋଳିଛି ସେ ଉଜାଣି
ମାନସ-ତରୀ ମୋର ନିରତ ଦୋଳାୟିତ
ତୁମେ ମୋ ନାଉରୀ ହୋଇ ଚାଲ ଗୋ ମୋ ବୋଇତ
ଆସିଲ ଗଲ ଚାଲି
ବ୍ୟଥା-ଆହୂତି ଢାଳି
ଢଳଇ ବୁକେ ଚିତା ଚାହିଁ ସ୍ୱପନବାଳି ।
ସ୍ୱପନ- କୋଳୁ ଯେବେ ଆସିଲା ଜାଗରଣ
ଆଣିଲା ତାର ସ୍ମୃତି ଜଳାଇ ଏ ପରାଣ
ସ୍ୱପନରୂପସୀ ଗୋ ତୁମକୁ ଘେନି ସାଥେ
ଆଣିଲ ନାହିଁ କିଆଁ କହିଲି ମୁହିଁ ଯେତେ
ନ ଦେଲ ଅଧରା
ଲୁଚିଗଲ କି ପରା
ସ୍ୱପନ-ଅନ୍ତରାଳେ ଜଗାଇ ସ୍ମୃତି-ଧାରା ।
ମନକୁ ମନ ସତେ ପାରଇ ଏତେ ଭିଡ଼ି
ଜଡ଼ ଶରୀର ଠେଲି ଯାଏ ଗୋ ଯେବେ ଭିଡ଼ି,
ସ୍ୱପନପୁରେ ତାର ରଚନ କୁଞ୍ଜବନ
ଜଡ଼ ଚେତନ ମଧ୍ୟେ ଆହା କି ବ୍ୟବଧାନ ।
ଜାଗଇ ଜଡ଼ ଆଖି
ଜାଗଇ ଛଟା ଦେଖି,
ମାନସ କୁଞ୍ଜେ କାହିଁ ଲୁଚେ ମାନସ- ସଖି।
ତୁମେ ତ ଯାଅ ଲୁଚି ସ୍ମୃତି ରଚଇ ଖେଳ
ଅତୀତ କଉତୁକ, ହସ ପୀରତି ମେଳ
ଉଦାସ ଆଖି ଦୁଇ ନୀରବେ ରହେ ଚାହିଁ
ଶୂନ୍ୟ ଗଗନ ପଥେ ଏକା ତୁମରି ପାଇଁ,
ମାନସ ପୁରେ ଛପି
ଥାଅ ଗୋ ଯେବେ ସଖି
ସ୍ୱପନେ ଲୁଚିଯାଅ ମିଳାଇ ଚାରି ଆଖି ।
କହୁ ବୋଲି ଆଜି କି କୁହୁକ ବୋଳା
ବାଜିଲା ଅମୀୟ ରାଗିଣୀ
ସହକାରକୁଞ୍ଜେ କିଏ ବଜାଇଲା
ନୂଆ ସିତାରାରେ ବାଜିଣୀ ?
ଶୁଣିଛି ତ ସେଇ ଚିରସିତାରାଟି
ନିତି ଅହରହ ବାଜୁଛି
କିଏ ସେ ଗୋ ସେହି କାକଳି-ତାନରେ
ନୂଆ ତାରେ ତାନ ଭରୁଛି ?
ହଜାଇ ଦେଲା ମୋ ସକଳ ଚେତନା
ପଲକେ ପାଲଟେ ବାୟା
ମାୟାପୁରୀକୁ ଭିଡ଼ି ନେଇଗଲା
ପଡ଼ିରହିଲା ମୋ କାୟା ।
ଅତୀତର କେତେ ମଞ୍ଜୁଳ ଛବି
ଆଖି ଆଗେ ମୋର ନାଚିଲା
ଅତୀତର କାର ବେଦନାର ଗୀତି
ଝରଣା ମୋ କାନେ ଝରିଲା ।
ଭରିଉଠେ ମୋର ବୁକୁତଳେ ଆଜି
କା’ ଲାଗି ଗୁପତ ବେଦନା
ମାନସ-ପୁଟୀରେ ଚାହିଁ ରହିଛି କେ
ଲୋତକସିକ୍ତ ଲପନା ।
ବସନ୍ତ ନାହିଁ ଆାଉ ଦୂରେ ଗୋ ଗଳାଦୂରେ
ବସନ୍ତ-ବଧୁ କିଆ ବ୍ୟଥିତ ଜୀର୍ଣ୍ଣସ୍ୱରେ
ପହିଲି ଆଷାଢର ବଉଦ-ଥେ ଚାହିଁ
ନ ଡ଼ାକ ଆଉ ତୋର ବଂଧୁ ଫେରିବ ନାହିଁ ।
ନବ ପଲ୍ଲବ ଦଳେ ଭରା ସବୁଜ ଧରା
ଦେଖି ହୁଅଇ ପ୍ରତେ ଆସିଲେ ବନ୍ଧୁ ପରା ।
ଆଷାଢ ସାଜିଛି ଗୋ କୁହୁକ ମଧୁଛବି
ଭରେମ ବନ୍ଧୁଭାବି ଶେଷେ କି ଯାଉ ଦ୍ରବି ?
ନୁହେଁ ଗୋ କେବେ ନୁହେଁ ଏଇ ତୋ ପ୍ରାଣବନ୍ଧୁ
ପ୍ରାବୃଟ ଯାଦୁକର ନୁହେଁ ତୋ ପ୍ରିୟ ମଧୁ,
ଛଳନାମୟ ତାର ସବୁଜ ରୂପ ଛଟା
ଦେଖ ଗୋ ନଭ-ପଥେ ବଉଦ ଘନଘଟା ।
ଛଳତ ଚିରକାଳ ଛପିକି ପାରେ କେବେ ?
କୃତ୍ରିମ ଆବରଣ କେବେ କେ ତାଙ୍କେ ଯେବେ
ଶତ ପରଦା ଫେର ଫୁଟି ଦିଶଇ ତାହା
ନୁହେଁ ନିଃସର୍ତ୍ତ ଶିରୀ ଛଳନା ମିଥ୍ୟା ଯାହା ।
ରହିଛି ସତ ସେଇ ସଜ ପଲ୍ଲବଦଳ
ବସନ୍ନ ବନ୍ଧୁପରି ତନୁ ଦିଶେ ସଜଳ
କାହିଁ ମଧୁର ସେଇ ମଧୁସୁରଭି ଛଟା
ଚଉଦିଗେ ପଙ୍କିଳ କର୍ଦ୍ଦମ ଘନଘଟା ।
ତନୁ ଲାବଣ୍ୟ ଆଉ ଅଧର ଛଳହସ
କିଣି କି ପାରେ ପ୍ରାଣ କର ପି ପାରେ ବଶ ?
ନାହିଁ ଯେବେ ସୁରଭି ଭରା ସରାଗମଠୁ
ଜାଣଟି ମଧୁ ବନ୍ଧୁ ନୁହେଁ ତୋ ପ୍ରିୟ ମଧୁ ।
ଭରମେ ଭୁଲ ନାହିଁ ଉଦାସ ପ୍ରାଣେ ଆଉ
ନକହ ‘କୁହୁ’ ଗୀତ, ଆଉ ନ କହ କୁହୁ
ଯା ଲାଗି କୁହୁଡ଼ାକ ନିଖିଳ ପ୍ରିୟ ମଧୁ,
ନ ଡ଼ାକ କୁହୁ ଯେବେ ନାହିଁ ତୋ ପ୍ରିୟବନ୍ଧୁ ।
ଯାହାର ପାଇଁ କୁହୁ ଏତେଟି ସୁଆଦିଆ
ସେ ତେବେ ଗଲା ଦୂରେ ଆଉ ତୁ ଡ଼ାକୁ କିଆଁ ?
ଫେରିଲେ ବନ୍ଧୁ ତୋର କରିବୁ ସମ୍ଭାଷଣ
‘‘ତୁମ ଲାଗି ମୋ ଡ଼ାକ ସାର ଗୋ ପ୍ରିୟଧନ !’’
ମାନସ-କୁଞ୍ଜରେ କୋଇଲୀ ଡ଼ାକେ
ମାନସ-ରୂପସୀ ଗହଳ ଶାଖେ,
ଦୋଳିରେ ଝୁଲି
ନିଜକୁ ଭୁଲି
ଭୋଳେ ଡ଼ାକେ ପ୍ରିୟ ଆସ ଗୋ ଆସ
ରଚିବା ଆବର ପୀରତି-ରାସ ।
ପଉଷ-ଜଡ଼ତା ପାଇଛି ଶେଷ
ନିରାଶ-କୁହୁଡ଼ା ନାହିଁ ଗୋ ଲେଶ,
ଗୋଧୂଳି-ରବି
ରଙ୍ଗ ଛବି
ସଉଲବ-ବୋଳା ମଳୟବାତେ
ଫଗୁ ହୋରି ଖେଳ ମୋହରି ସାଥେ ।
କୁଟିଳ ଜଟିଳ ଦୁନିଆ ପରେ
ରକ୍ତର ଚିତା ଯହିଁ ଗୋ ଜଳେ,
ଶାନ୍ତି କାହିଁ ?
ପାଇବ ନାହିଁ
ରୁକ୍ଷ ମରୁରେ ଶୁଷ୍କ ଆଶ,
ଭ୍ରାନ୍ତ ହୁଅ ନା ଆସ ଗୋ ଆସ ।
ଶାନ୍ତିର ପିଅ ଶୀତଳ ଝର
ଦଗ୍ଧ ଜୀବନ ଶୀତଳ କର,
କୁଞ୍ଜଛବି
ମୁଗ୍ଧ କବି
ପରାୟ ରହ ଗୋ ବିଭୋରେ ଚାହିଁ
ସୁଷମା-ସାଇରେ ମଗ୍ନ ଥାଇ ।
ଏଥ ବନ ଫୁଲେ ରଚିବି ମାଳା
ଉପହାର ଦେବି କାନନ-ବାଳା,
ମାନସୀ-ବଧୂ
ସ୍ପରଗ-ମଧୁ
ଅଧରେ ମୋହର ହୋଇଛି ଭରା
ପିଇ ପ୍ରିୟ ହୁଅ ଆତ୍ମହରା।
ପଞ୍ଚମ ତାନେ କୋଇଲୀ ଡ଼ାକେ
ତାନ ମିଳାଇବା ତାହାରି ସାଥେ,
‘‘ପ୍ରିୟ ଗୋ ପ୍ରିୟ
ପ୍ରେମର ଦିଅ’’
ଜୟ-ଗୀତିକା କଣ୍ଠ ତୋଳି
ଖେଳ ଗୋ ମୋର ସଙ୍ଗେ ଦୋଳି ।
ଲୋଡ଼େ ନା ମୁଁ ବିଳସିବି ନନ୍ଦନ କାନନେ,
ଲୋଡ଼େ ନା ପୂଜିତ ହେବି ଦେବେନ୍ଦ୍ର ଆସନେ ।
କୁବେର ବିଭୂତି ପଦେ ନାହିଁ ମୋ ବାସନା
ନାହିଁ ଯେବେ ସରାଗର ନିଃସର୍ଗ-ଝରଣା ।
ଲୋଡ଼େ ନା ଗୋଲାପ-ଶେଯେ ଲୋଟାଇବି ଅଙ୍ଗ
ପଥର ଭିଖାରୀ ହେହବି ଦୈନ୍ୟ କରି ସଙ୍ଗ ।
ଯହିଁ ଛୁଟେ ସ୍ନେହ ପ୍ରୀତି ବିମଳ ଝରଣା
ତହିଁ ମୁଁ ଛୁଟିବି ପାନ୍ଥ, ମେଣ୍ଟିବ ବାସନା ।
ସରାଗ-ପୀରତି ଆଶା-ପଥେ ମୁହିଁ ଭିକ୍ଷୁ,
ସରାଗ-ପୀରତି ଧର୍ମେ ଆଜୀବନ ଲିପ୍ସୁ ।
ବିଦାୟ ବେଳ ଜାଣି ଦେଖା ନ ଦେଲ ଯେବେ
ଏଇ ଚମ୍ପକ ଗୋଟି ଉପହାର କି ତେବେ?
ସଜ ଚମ୍ପାଫୁଲଟି ସଜଳ ନୟନରେ
ଅନ୍ତର ଭାଷା ତବ ଦେଲା କି ମଉନରେ ?
ଉଦାସ ପ୍ରାଣେ ମୁଇଁ ଆସିଲି ଚାଲି ଏକା
ଲୁଚିଲ ଅନ୍ତରାଳେ ପାଇଲି ନାହିଁ ଦେଖା,
ତୋଳିଲି ଫୁଲଟିକୁ ବ୍ୟଥା-ଅବଶ କଲେ
ଧୋଇଲି ଅଙ୍ଗ ତାର ନୟନ ଅଶ୍ରୁଜଳେ ।
କେତେ ଗୋ ଚମ୍ପା ଫୁଟି ଝଡ଼ୁ ନ ଥିବ ତଳେ,
ଏତେ ଆଦର ମୋର କାହିଁ କି ଏ ଫୁଲରେ !
ସୁରଭି କର ତବ ଲାଗିଛି ବୋଲି ସିନା
ନୟନ-ଅଶ୍ରୁମୂଲ୍ୟେ ଏ ଫୁଲ-ମୋର କିଣା ।
ଝାଉଁଳି ଆସିଲାଣି ତୁମର ଅଙ୍ଗ ପରି
ବିରହ-ତାପେ ପରା ଯିବଟି ତୁମେ ସରି,
ମଉନେ କହେ ସତେ ତମରି ପ୍ରାଣକଥା
ନୀରବ ଭାଷା ତାର ମରମେ ଅଙ୍କେ ବ୍ୟଥା ।
ଝାଉଁଳି ଯାଏ ଫୁଲ ମଉଳିଯିବ ତନୁ
ସରାଗ ସଜ ଚିର ଝଡ଼ି ନ ଯାଏ ମନୁ
ହୃଦୟ-ତରୁ ଶଖେ ତା’ହସ ଢଳ ଢଳ
ଫୁଟଇ ଯେବେ ଦିନେ ନ ଲୋଟେ ଧରାତଳ ।
ସରାଗ ଫୁଲ ସେ ତ ମିଶେ କି ମାଟି ସଙ୍ଗେ
ମାଟିର ତନୁ ସିନା ମିଳାଏ ମାଟି ଅଙ୍ଗେ,
ସରାଗ-ଫୁଲ ଶୂନ୍ୟେ ଯାଏ ସ୍ୱରଗ-ପଥେ
ଚିର ମଳୟ ବୋଳା ପ୍ରାଣ-ପୁଷ୍ପକରଥେ ।
ବେନି ସ୍ୱଚ୍ଛ ଝରଣା ମିଳଇ ଯେବେ ସଖି !
ତା’ମଧ୍ୟେ ବିଭେଦ ଗୋ କେ କାହିଁ ପାରେ ରଖି!
ମରତେ ତୁମ ମୋର ଏ ସରାଗ-ମିଳନ
ସ୍ୱରଗପୁରେ ତାର ନ ହୋଇବ ଖଣ୍ଡନ ।
କହ ଚମ୍ପକ ତୁହି କି କହିଥିଲା ବନ୍ଧୁ
ତୋ ହାତେ ଦେଇଥିବ ତା ବାରତା-ମଧୁ
ପରଖିବାକୁ ମୋତେ ପାଲଟୁ କିରେ ମୁକ,
କହ ପଦିଏ କଥା ନ ଆଣ ପ୍ରାଣେ ଦୁଃଖ ।
କହିଲୁ ନାହିଁ ପଦେ ହାୟ ତୁଇ ନିର୍ମମ
ଫୁଲଟି ହୋଇ ପୁଣି କଠିନ ଶିଳାସମ
ଶିଳା କଠିନ ହେଲେ ନ ଲାଗେ ପ୍ରାଣେ ବ୍ୟଥା,
ବ୍ୟଥା ଲାଗଇ ଦେଖି ‘ଫୁଲପାଷାଣ’ କଥା ।
ହାୟ ମୁଁ ରେ ନିର୍ବୋଧ ନ ବୁଝେ ଫୁଲ ଭାଷା ।
ବୁଝିବି ବନ୍ଧୁଭାଷା କରି କି ପାରେ ଆଶା ?
ଫୁଲରୁ ପ୍ରାଣ ତାର ଆହା କେଡ଼େ ନରମ,
ମୁହିଁକି ନିଜେ ତେବେ କଠିନ ଶିଳା ସମ ?
ମନର ଭାଷା ଯେବେ ତନୁରୁ ପଡ଼େ ଜଣା
ମନ-ରସିରେ ତନୁ ନିରତେ ପରା ଟଣା
ଝାଉଁଳା ତନୁ ତୋର କହଇ ତାର କଥା
ସତ ଚମ୍ପକ ତୁମେ ବୁଝ ମୋ ବନ୍ଧୁ-ବ୍ୟଥା ।
ଥରକ ପରଶରେ ବୁଝିଲ ତାର ପ୍ରାଣ
ପ୍ରିୟ ମୁଁ ହୋଇ ହୋଇଲି କି ପାଷାଣ ?
ଫୁଲ ବୁଝଇ ସିନା ଫୁଲପ୍ରାଣ-ବେଦନା
ଏକ ଉପାଦାନେର ବେନିର ସରଜନା ।
ଅଳିକି ନ ବୁଝଇ ଫୁଲ-ପ୍ରାଣ ସରାଗ ?
ଅଳିଫୁଲର ପରା ନିଃସର୍ଗ ଅନୁରାଗ
ଫୁଲରୁ ଫୁଲ କେବେ ଯାହା ନ କରେ ଆଶା
ଅଳି ମେଣ୍ଟାଏ ସିନା ଫୁଲ ପ୍ରାଣ-ପିପାସା ।
ତେଣୁ ଚମ୍ପକ ତୋର ମୋର ଏ ବ୍ୟବଧାନ
ବୁଝଇ ତାର ମୋର ଆଉ ତୋର ପରାଣ ।
ଯେ ଯାକୁ ମଣଇ ପ୍ରାଣ ପ୍ରିୟତର
ସେ ଯେବେ ମଣଇ ପର
ସାର ହୁଏ ସିନା ନିରଜନେ ତାର
ଆଖି-କୋଣେ ଅଶ୍ରୁ ଝର ।
ପ୍ରିୟ ହୋଇ ଯେବେ ଫେଡ଼ି ନ କହଇ
ପରାଣ-ଗୋପନ କଥା
ସାର ହୁଏ ସିନା ବୁକୁପରେ ଚାପା
ଗୁରୁ ପାଷାଣର ବ୍ୟଥା ।
ପ୍ରିୟ ଯେବେ ପର ମଣଇ ତା’ଠାରୁ
ଜଗତେ କେ ଅଛି ଦୁଃଖୀ !
ପ୍ରିୟର ସରାଗେ ସରାଗୀ ଯେ ଚିର
ସେଇ ସିନା ଏକା ସୁଖୀ ।
କିଏ ତୁମେ ବସି
ମନ୍ତର-ଜପ ତାପସୀ ?
ଘନ ନିଶୀଥର ଛାୟାପଥେ-ଧାରେ
ମୂର୍ଚ୍ଛନା ଯାଅ ପରଶି ।
କେଡ଼େ ସୁମଧୁର ମନ୍ଦ୍ରରାଗିଣୀ
ମୁଖରିତ ଚାରୁ ଗଗନ ବିପଣୀ
ସୁପ୍ତିର କୋଳେ ଜାଗ୍ରତ ବାଣୀ
କିଏ ତୁମେ ଯାଅ ବରଷି
ଉନ୍ମନା ତୁମେ କହ କିଏ ଆଗୋ ତାପସି ?
ବିଜନ ବିଶ୍ୱର-ଦ୍ୱାରେ ଝଙ୍କାରେ ଝିଙ୍କାରି
ବଜାଏ ବୀଣାଟି ତାର ସେ ଚିର ଭିଖାରୀ
ନାହିଁ ତାର ଭିକ୍ଷାଝୁଲି
ଚାହେଁ ନାହିଁ ଭିକ୍ଷା
ଲୋଡ଼େ ନାହିଁ ଧନ ମାନ
ସ୍ୱର୍ଣ୍ଣ ଅଟ୍ଟାଳିକା
ନିବିଡ଼ ନିଶୀଥେ କରେ କାହାର, ସନ୍ଧାନ
କଠେ ଭରା କାର ଜୟଗାନ
କିଏ ସେ ଦେବତା
ଭାଙ୍ଗ ଆଜି ମୋର ନୀରବତା
ସଜାଇବି ଛିନ୍ନ ତନ୍ତ୍ରୀ
ତୋଳିବି ଝଙ୍କାର
ଝଙ୍କାରି ଉଠୁ ହେ ତମ
ବିପୁଳ ସଂସାର ।
ନ ଲୋଡ଼ଇ ଧନମାନ ଜୟ ତବ
ଗାଇଯିବି ଚାଲି
ଭିକ୍ଷା ନ ଲୋଡ଼ିବି କିନ୍ତୁ
ସାଜିବି ଭିଖାରୀ ।
ଗୋଧୁଳିର ଅବସାନ, ନୀଳ ନଭ ଅଙ୍ଗେ
ଯହିଁ ତହି ବିଛୁରିତ ଗୋଲାପୀ ଛିଟିକା ।
ଛପି ଛପି ଉଙ୍କିମାରେ ସଂଧ୍ୟାର ତାରକା
ଅଦୁର ପାଦପପତ୍ର ଅନ୍ତରାଳେ ରଙ୍ଗେ ।
କଳକଳ ତରଙ୍ଗିଣୀ ଗାଏ ସନ୍ଧ୍ୟାଗୀତି
ପତ୍ରର ମର୍ମରେ ଚାଏ ସମୀର ମୃଦଙ୍ଗ ।
ଧ୍ୟାନ ରତେ ନୀଳକଣ୍ଠ ସମ ନୀଳଶୃଙ୍ଗ
ଝିଲ୍ଲିତାନେ ସନ୍ଧ୍ୟା ନିଜେ ଆରମ୍ଭେ ଭାରତୀ ।
ପ୍ରକୃତି-ବତ୍ସଳା କି ସେ ନବ ସୁକୁମାରୀ
ଯୌବନ ଗଢି ପରଶ ବୋଳି ନାହିଁ ଅଙ୍ଗ,
ଢଳ ଢଳ ହାସ୍ୟ ଶୁଦ୍ଧ ପ୍ରେମର ତରଙ୍ଗ
ସନ୍ଧ୍ୟା-ପୂଜାରିଣୀ ପରା ସନ୍ଧ୍ୟା-ଦୀପ ଧରି ।
ମାଟିର ପ୍ରଦୀପ ଘେନି ସାଦର ଆରତି
ଦେବତାକୁ ଦେଖେ ବିଶ୍ୱ-ବିରାଟ ଦେଉଳେ
ଶିରେ ତୋଳି ତାଳେ ତାଳେ ନାଚି ପ୍ରେମଭୋଳେ
ଗାଏ ସନ୍ଧ୍ୟା-ପୁଜାରିଣୀ ସନ୍ଧ୍ୟାର ଭାରତୀ ।
ସ୍ତବ ଗଗନ ସ୍ତବ୍ଧ ପବନ
ସ୍ତବ୍ଧ ପାଦପଦଳ,
ବେଦନାର ଧୂପ ସଜାଏ ଧରଣୀ
ବିଶ୍ୱ ଚରଣତଳ ।
ବିଜନେ କାତରେ ଅକୁଳ ପରାଣେ
ନିଦାଘେ ରଚଇ ତପ,
ତରୁ-ଶାଖେ ବସି କ୍ଷୁଦ୍ର ପକ୍ଷୀଟି
କି ନାମ କରଇ ଜପ?
ଜନପଦ ଭରି ଉଠଇ ତାହାର
କରୁଣ-କାତର-ଭାଷା,
ସେ ଗୀତ ରେ ତାର ଅନ୍ତରୁ ଫୁଟେ
ଆଶାହୀନ ଜପ-ଆଶା ।
ରଚଇ ଧିଆନ ବଜନତା କୋଳେ
ନିବେଦ ଦେବତା ପାଶେ,
ଧରା କଲ୍ୟାଣେ କଲ୍ୟାଣେ ମମ
ପୂଜା ମମ ଏହି ଆଶେ ।
ଶନ୍ତକର ହେ ବିଦାଘକାତରେ
ଦଗ୍ଦ ଅକୁଳ ବିଶ୍ୱ,
ଧନମାନ ବାସ ଲୋଡ଼େ ନାହିଁ କିଛି
ହୁଏ ପଛେ ଚିର ନିଃସ୍ୱ ।
ସେଇ ଜପ ମମ ଅନ୍ତରେ ଜାଗୁ
ସେଇ ମିନତିଟି ତାର,
ଧରା କଲ୍ୟାଣେ କଲ୍ୟାଣେ ମମ
ଏଇ ଭାବ ହେଉ ସାର ।
ଦେବତା ପଚାରେ – ‘‘ଭକ୍ତ, ନିତି ଲୁହ ଢାଳି
ପୁଜୁଛୁ ତ କହ ତୋର କିସ ମନୋରଥ ?
ଦେବତାର ଶ୍ରୀଚରଣେ ଅର୍ପି ପ୍ରେମାଞ୍ଜଳି
‘‘ପ୍ରିୟ ତମ ତୁମେ ମୋର’’ ଉତ୍ତରିଲା ଭକ୍ତ ।
‘‘ଚାହେଁ ନାହିଁ ଉଡ଼ାଇବି ବିଶ୍ୱେ ବୈଜୟନ୍ତୀ
ଚାହେଁ ନାହିଁ ଭରିଦିଅ ସୁବର୍ଣ୍ଣ-ଅଟ୍ଟାଳି
ପ୍ରେମ ବିକି ଲୋଡ଼େ ନାହିଁ ସମ୍ମାନ ସମ୍ପତ୍ତି
ଭଲ ପାଇବାର ଲାଗି ଭଲପାଏ ଖାଲି ।
ଜୀବନ-ମରଣ ସଙ୍ଗେ ଗାଢ ଆଲିଙ୍ଗନ
ତୁଟାଇ ନଶ୍ୱର ଲୀଳା ବିଶ୍ୱର ବନ୍ଧନ,
ଏଇ କି ପ୍ରଣୟ-ଯଜ୍ଞେ ପ୍ରଣୟ ଆହୁତି
ନୁହେଁ ଚିତା, ଏଇ ପରା ପ୍ରଣୟ ବିଭୁତି ।
ଏଇଠାରେ ଜୀବନର ସଫଳ ସଂଧାନ
କିଏ କହେ ତିକ୍ତ ରୁଦ୍ର ଛବି ଶମଶାନ ?
ଜୀବନେ ମରଣ ଦିଏ ପ୍ରଗାଢ ଚୁମ୍ବନ
ଧରଣୀର ବକ୍ଷେ ଏ ଯେ ପ୍ରେମ-ବୃନ୍ଦାବନ
ପାଏ ନର ଯୌବନେ ଯେ ମଧୁର ଇଙ୍ଗିତ
ଆଜି ଗାଏ ମୃତ୍ୟୁ ସଙ୍ଗେ ନୀରବ ସଙ୍ଗୀତ ।
ନାହିଁ ବନ୍ଧ ନାହିଁ ଛନ୍ଦ ଅନନ୍ତ ଗୀତିକା
କେ କହେ ଶ୍ମଶାନ ? ମୁକ୍ତ ପ୍ରଣୟ ବେଦିକା ।
ବେଳ ଜାଣି ଫୁଟେ ବୃନ୍ତେ ଅଫୁଟା ଫୁଲଟି
ଶୁଖିଲା ନଈଟି ଚାଲେ ଉଛୁଳେ କୂଳଟି ।
ବେଳ ଜାଣି ଆସେ ଊଷା ଗୋଲାପୀ-ବସନା
ବେଳ ଜାଣି ଫୁଟେ ତାରା ଗଗନେ ଚନ୍ଦ୍ରମା ।
ତେବେ ମୁଁ ନିରାଶ କିଆଁ ? ନ ତୁଟେ ମୋ ଆଶା,
ବୁକୁତଳେ ଛପି ରହି ଦିଏ ମୋତେ ଭାଷା,
‘ବେଳ ଜାରି ଫୁଟିବ ତୋ ଜୀବନ – କମଳ
ଆଶାର ଉଦ୍ୟାନେ କିଛି ନୁହଇ ବିଫଳ ।’
ଦଃଖୀର ଆନନ୍ଦ ଧନ ଭୋଖିଲାର ଆଶା-ଥାଳା
ପିପାସୁ-ସୁଧାକଳସୀ ତପସ୍ୱୀର ଜପାପାଳା
ଜ୍ଞାନୀର ଜ୍ଞାନଭଣ୍ଡାର
କଳ୍ପନାର ପାରାବାର
ଆରତ-ବିପଦ-ବଂଧୁ ଜିଜ୍ଞାସୁ ଉତ୍ତର ଧାରା
ଅଭିଳାଷୀ ଅଭିଳାଷ ତୁମେ ଭରା ବିଶ୍ୱସାରା
ଜ୍ଞାନକୁଞ୍ଜେ ତବ ରାସ
ଦର୍ଶନେ ଯା ଅଭିଳାଷ
ପ୍ରିୟୁଁ ପ୍ରିୟତର ତବ କଣ୍ଠେ ତାକୁ ବରମାଳା
ସେ ତବ ଆଖିର ଲୁହ ତା’ନେତ୍ରୁ ଯେ ଅଶ୍ରୁଧାରା
ଦେବତା
ପାଷାଣ ପାଲଟି ଯାଅ ନା
ଅନ୍ତର ତମ ତୁମେ ଯେବେ ମମ
ନ ବୁଝି କି ମମବେଦନ
ପାଷାଣ ପାଲଟି ଯାଅ ନ
ଉଷା-ପ୍ରଦୋଷରେ ନୟନ ସଲିଳେ
ଚରଣ କଲି ମୁଁ ମାଜଣା ।
ନିଜେ ଜଳି ମୋର ବେଦନାର ଧୂପେ
କଲି ମୁଁ ଆରତି ରଚନା
ହୃଦ-ସରସୀର ସରାଗ ସରୋଜ
ଢାଳି କଲି କେତେ ସାଧନା ।
ଏଡ଼ିକି ଦାରୁଣ ହୁଅ ନା
ଉପହାର ଏଡ଼ି ଦିଅ ନା
ଅପରାଧ ଯେବେ କରିଅଛି କେବେ
ଲାଞ୍ଛିତ ଆଉ କର ନା,
ନିଜ ଗୁଣେ କ୍ଷମା କର ଗୋ ଦେବତା
ପରମଣି ଠେଲି ଦିଅ ନା
ପାଷାଣ ପାଲଟି ଯାଅନା ।
ହେ ଦେବତା, ହେ ଦେବତା ।
ଜୀବନେ ମରଣେ ତମେ ସାଥୀ
ହୃଦୟ-ଆସନ ଅଛି ପାତି
ତୁ ପୂଜା ଲାଗି ଦିବାରାତି ।
ଥାପିବାକୁ ପ୍ରାଣେ ତବ ଚରଣ ରେଣୁ
ଶୁଣିବାକୁ ପ୍ରିୟ ତବ ମୋହନବେଣୁ
ଆଶାୟୀ ରହିଛି ମୁହିଁ
ଜନମ ଜନମ ଚାହିଁ
ମିନିତି ନ ଶୁଣ ଚିର ସାଥୀ
ହୃଦୟ ଆସନ ଅଛି ପାତି ।
ଆସ ଗୋ ଆସ ପ୍ରିୟ, ଆସ ଗୋ ଆସ
ପୂରଣ କର ମୋର ଏ ଅଭିଳାଷ
ଲୋଡ଼ା ନାହିଁ ଧନମାନ
ନାଚ ମୋ ଜୀବନ-ଧନ
ନଟବର ମଞ୍ଜୁଳକାନ୍ତି
ଜୀବନେ ମରଣେ ତେମ ସାଥୀ।
ତବ ପୂଜା ମୋ ଜୀବନ-କନ୍ଦରେ
ତବ କମଳ ଆସନ ଅନ୍ତରେ
ପ୍ରେମଫୁଲେ ତବ ପୀରତି
ବ୍ୟଥା-ଧୂପେ ତବ ଆରତି
ଜପ ତପ ଯେତେ ବାହାର ଇଙ୍ଗିତ
ଜାଗ ନୀରବ ମନ୍ତରେ
କମଳ-ଆସନ ଅନ୍ତରେ ।
ପ୍ରଭୋ ।
ମିଳାଅ ସକଳ ସଙ୍ଗେ
ଅନ୍ତରେ ଯେତେ ଅହମିକା ଅଛି,
ଡ଼ୁବିଯାଉ ତବ ଅଙ୍ଗେ
ଗର୍ବଦର୍ପ ମାନବଡ଼ିମା
ଯେତେକ ଅଛି ଏ ଜୀବନ-କାଳିମା
ଡ଼ୁବି ଯାଉ ତବ ଆଲୋକ-ଜୁଆରେ
ମୁକ୍ତ ଲହରୀ ଭାଙ୍ଗେ,
ବିଶ୍ୱ-ପୀରତି ଉଦାର ମନ୍ତ୍ର
ଜଗାଅ ଛନ୍ଦେ ଛନ୍ଦେ
ମିଳାଅ ସକଳ ସଙ୍ଗ ।
ବାରୁଣୀ-ତୀରେ ଅସ୍ତମେଳା
ବନର ପକ୍ଷୀ ଛନ୍ଦ ଦେଲା
ସଂଧ୍ୟା ହେଲା, ସଂଧ୍ୟା ହେଲା ।
ଗଗନେ ଫୁଟିଲେ ତାରା
ରଜତ ହୀରକ ଝରା
ସଜାଅ ଅରଘ ଥାଳା
ଜଳାଇ ପ୍ରଦୀପମାଳା
ଗଗନେ ଅମରବାଳା
ତୋଳିଲେ ପ୍ରେମ ଉଜାଲା ।
ଗାଇଲେ ଧନ୍ୟ ପ୍ରଭୋ ।
ଧନ୍ୟ ହେ ତୁମ୍ଭ ଲୀଳା ।
ସ୍ୱରଗେ ଜାଗରଣ
ମରତେ ସଂଧ୍ୟା ହେଲା ।
ଯେବେ ଗୋ ସଂଧ୍ୟା ଆସେ
କେବେ ମୋ ଭାଗ୍ୟାକାଶେ
ଜୀବନ କର୍ମପାରେ
ମିଳିବ ତୁମ୍ଭ ଦ୍ୱାରେ
ପରାଣ ପଞ୍ଚବତୀ
ସାଜିବି ସଂଧ୍ୟା ରତି
ଗାଇବି, ‘‘ପ୍ରେଭୋ ମୋର
ସରିଲା କର୍ମଖେଳା
ଚରଣେ ଆଶ୍ରା ଦିଅ
ଏବେ ଗୋ ସଂଧ୍ୟା ହେଲା ।’’
ସଂଧ୍ୟା ଆସେ ଜୀବନ ପଥେ
ଆଲୋକ ଯାଏ ଦୂରେ
ସୁଦୂର ଦେଶେ ବଂଶୀବାଜେ
ବେଦନାଭରା ସ୍ୱରେ ।
ଏଇ ଯେ ଦିଶେ
ବଳୟେ ମିଶେ
ଅସୀମ ପାରାବାର
ଯିବି ମୁଁ କାହିଁ
ତରଣୀ ନାହିଁ
କୋଣେ ଗୋ କର୍ଣ୍ଣଧାର ?
ଚପଳା ଜାଗେ
ଈଶାନଭାଗେ
ବାଦଲ ଦିଏ ଦେଖା,
ଅସଲ ଝଡ଼ି
ଦେଲାଣି ରଡ଼ି
ମୁହଁରେ ସିନା ଏକା ।
ଆକୁଳେ ଡ଼ାକେ କେ ଗୋ ଅଛ
ତରୀ ଲଗାଇ କୂଳେ,
କିଏ ଗୋ ତେମ ବଂଶୀ ବାଅ
ଦୂରେ – ବହୁ ଦୂରେ ?
ବନ୍ଦୀ ମୁହିଁ କରିବି ମମ
ପରାଣ ଅନ୍ତଃପୂରେ ।
ଫନିଳ ଚୂର୍ଣ୍ଣ ତୁମର ମୁକ୍ତା ଅଳଙ୍କାର
କେର ଘେନି ଆସ କିହେ ପ୍ରୀତି ଉପହାର ?
ବନ୍ଧୁପ୍ରତି ପ୍ରୀତିମାଲ୍ୟ ତୋଳି ଦେବା ପାଇଁ
ଆସୁଛ କି ଊର୍ମିତାଳେ ହେ ଅସୀମ ! ଧାଇଁ ?
କହିଯିବ ହୃଦୟର ମୁକ୍ତ ଅଭିଳାଷ
ଦେଇଯିବ ଛନ୍ଦେ ଛନ୍ଦେ ଅନ୍ତର ଉଚ୍ଛ୍ୱାସ
ଦୂରେ-ଦୂରେ ବହୁ ଦୂରେ ଶୂନ୍ୟ ନଭ ଅଙ୍ଗ,
ମିଶି ଯାଇଅଛି ତୁମେ ଆହା କେଡ଼େ ରଙ୍ଗେ ।
ଏପରି ବିରାଟ ଥାଇ ନାହିଁ ତବ ଗର୍ବ,
ହେ ଅନନ୍ତ ଆତ୍ମଜ୍ଞାନି । ତେଜି ଅହିଂଦମ୍ଭ
ମିଶି ଯାଇ ଶୂନ୍ୟ ନଭ-ନୀଳିମାରେ ତା’ର
ମିଳାଅ ନିଜତ୍ୱ ସିନ୍ଧ, ଆହା କି ଉଦାର
ଉଦାରୁଁ ଉଦାରତର କେବଳ ଉଦାର
ନୁହଁ ତୁମେ ହେ ମୋ ପ୍ରିୟ ନୀଳ ପାରାବାର,
କମଳା-ଜନକ ତୁମେ ପୂର୍ଣ୍ଣ ରତ୍ନାକର
ଶୂନ୍ୟୁ ମହାଶୂନ୍ୟ ଦେଖ ନବ ଦିଗମ୍ବର,
ନିଜର ଆସ୍ତିତ୍ୱ ଦିଅ ତା’ଚରଣେ ବଳି
ଏକ, ଅଦ୍ୱିତୀୟ, କାହିଁ ଜଣେ ତୁମ ଭଳି ?
ଭୁଲିଯାଇ ଅହଙ୍କାର ବଡ଼ିମା ସକଳ
ବଳି ଦିଅ ହେ ମହାନ୍, ଶୂନ୍ୟ ପଦତଳ ।
ଗୁଣୀ ତମେ ରତ୍ନାକର ଜାଣ ଗୁଣାର୍ଚ୍ଛନ ।
ମିଶିଯାଅ ଶୂନ୍ୟାକାଶେ ତେଣୁ ମହାମନା ।
ଦିଗମ୍ବର ହେଲ ନଭ କିବା ଯାଏ ତହିଁ ?
ପୂରିଅଛି ବିଶ୍ୱ-ମହାଭାବ ରାଶି ଯହିଁ
ସେ ମହା ଯୋଗେଶ ପଦେ ନିଜକୁ ଅର୍ପଣ
କରି ରଚୁଛ କି ସିନ୍ଧୁ ଦୂରେ ଏ ତର୍ପଣ
ବେଳାଭୂମେ ମୁଖରିତ ତବ ଊର୍ମିଛନ୍ଦ
ତୋଳୁଛ କି ହେ ପୂଜାରି । ସେ ଗାୟତ୍ରୀପଦ ?
ଜଣାଯାଅ ସୁଗମ୍ଭାର ମହର୍ଷିର ସମ
ପ୍ରେମାମୃତ ଭରେ ଏଇ ଦୃଶ୍ୟ ଅନୁପମ
ଅନ୍ତର ପାରେ ନା କରି ତୁମର କଳନା
କେଉଁ ଭାବେ କର ତୁମେ ବିଶ୍ୱ ଦବାର୍ଜନ ?
ବନ୍ଧମୁକ୍ତ ପୂଜା ତବ ଜାଣିବାକୁ ନର
କ୍ଷମା ନୁହେଁ, ବନ୍ଧା ଯେଣୁ ପାଶରେ ବିଶ୍ୱର ।
ହେ ଉଦାର, ମହାସିନ୍ଧୁ ଦିଅ ଆଶୀର୍ବାଦ,
ଭୁଲି ଯାଉ ପ୍ରାଣ ମୋର ସର୍ବ ଧରା-ବାଦ
ପ୍ରାଣେ ଖେଳୁ ପ୍ରେମୋଚ୍ଛ୍ୱାସ ତବ ଊର୍ମିସମ
ପ୍ରେମେ ନାଚି କରୁ ନିତି ବିଶ୍ୱ ଦେବାର୍ଚ୍ଚନ ।
ମହାନନ୍ଦେ କରୁ କଣ୍ଠ ତା’ର ଯଶଗାନ
ରଚେ ପୁଣି ତବ ସମ ସୁଗମ୍ଭୀର ଧ୍ୟାନ
ଅହଂକାର ବଳି ଦେଇ ମିଶେ ବିଶ୍ୱପଦେ
ବିଶ୍ୱମୟଭାବେ ମଜ୍ଜେ ଧୀରେ ମହାନନ୍ଦେ ।
ନିଶାର ଅବାଧଗତି ରୋଧି କାବ୍ୟ-ତାରା
ଉଷା ଅଗ୍ରଦୁତ ସମ ଦେଲାଣି ଇଶାରା
ଅନ୍ଧକାର ପରାଜୟ ଆଲୋକ ବିଜୟ
ଅରୁଣ ରକ୍ତିମାକ୍ଷରେ ଦେବ ପରିଚୟ
ଝଙ୍କାରିତ ଝିଲ୍ଲିରବ
ମୁଖରିତ ସିନ୍ଧୁ-ସ୍ତବ
ସୁବିଶାଳ ବେଳାଭୁମି ସୈକତ-କାନ୍ତାରେ
ଅସ୍ପଷ୍ଟ ଦୁଇଟି ମୂର୍ତ୍ତି ଛାୟା – ଅନ୍ଧକାରେ ।
ଜଣେକ ପୁରୁଷ ଉଭା ଶିଳା-ମୂର୍ତ୍ତି ସମ
ଚରଣେ ବିନତ ଏକ ଅପୂର୍ବ ଲାବଣ୍ୟ
ଅନ୍ଧକାରେ ଝଲି ଉଠେ ଦିବ୍ୟକାନ୍ତି ଧରି
ସ୍ୱର୍ଗପୁର ଶିଶୁ କି ସେ ମର୍ତ୍ତ୍ୟେ ଅବତରି
ସୃଷ୍ଟିର ରହସ୍ୟ ଖୋଲି
ଆସିଅଛି ଯିବି ଚାଲି
ମର୍ତ୍ତ୍ୟର ଅପୂର୍ଣ୍ଣ କର୍ମ ସ୍ରଷ୍ଟାର ଇଙ୍ଗିତେ
ମର୍ତ୍ତ୍ୟରୁ ବିଦାୟ ଘେନେ ବିଜନେ ଶଙ୍କତେ ।
‘ଧରମୁ’ ‘ଧରମୁ ମୋର’ ମନ୍ତ୍ର ଦେ ନି ପଦ
ବାସ୍ପରୁଦ୍ଧ କଣ୍ଠଭାଷା କରୁଣ ଶବଦ
ମିଳାଇଲ ଜଳଧିର ଗୁରୁ ଘୋଷତଳେ
ପ୍ରତିବାକ୍ୟ ଶୁଣାଗଲା ବାଳକଣ୍ଠ ସ୍ୱରେ
‘‘ଅମର ଏ ଗଉରବ
ତମେ ପିତା, ପୁତ୍ର ତବ
ଆଜି ମୁହଁ ଏ ଜାତିର – ବିଦାୟ, ବିଦାୟ
‘ବାରଶ ବଢେଇ ଦୟ କି ପୁଅରେ ଦାୟ ।’’
ଚଳେ ଏକମୁଖେ ଅଗ୍ରେ ଅସୀମ ନୀଳିମା
ତୀରେ ଉଭା ନଭଶ୍ଚୁମ୍ବୀ, ଧରାତଳ ସୀମା-
ଉତ୍ତୁଙ୍ଗ ଶଇଳ ସମ ଅଜୀବ କୋଣାର୍କ
ପାଷାଣୀ ଅହଲ୍ୟା ସମ ଇଚ୍ଛେ କା’ ପଦାଙ୍କ
ସ୍ୱର୍ଗର ପୁଷ୍ପକରଥେ
ଅମର ବାଳକ ସତେ
ଆରୋହେ ତେସନ ଉଭା ତୁଙ୍ଗଚୂଡ଼ା ପରେ
ଉଚ୍ଚାରିଲା ମହାମନ୍ତ୍ର ‘ ଜୟଦେବ ହରେ’ ।
ଖେଳିଲା ରଙ୍ଗିନ ଊଷା ରଙ୍ଗିନ ଜୁଆର
କୋଣାର୍କେ ବାଳାର୍କ ମନ୍ତ୍ର ମୁର୍ଚ୍ଛନା ଉଦାର
ବିଶ୍ୱ-କଳା ସିଂହାସନେ ଲଭି ଅଭିଷେକ
ପ୍ରଚାରନ୍ତେ ମୌନଶିଳା, ଶିଳା ଶିଳ୍ପ-ଟେକ
ଊର୍ମି ଦୋଳସନେ ଦୋଳେ
ସମ୍ମୁଢ୍ୱଳ କାନ୍ତି ଆହା କେ ଦେବ ବାଳକ ?
ଆସିଥିଲା ପଥହରା ମର୍ତ୍ତ୍ୟେ ଭୁଲି ଲକ୍ଷ୍ୟ ।
ଚକିତେ ସଜୀବ ଶିଳା – କୋଣାର୍କ ମନ୍ଦିର
ସିନ୍ଧୁ ଗର୍ଭେ ନିର୍ନିମେଷେ ନିରେଖି ଗମ୍ଭୀର
ଝୁରିଲା ପାଷାଣ କିସା , ଝଡ଼ିଲା ଭୁତଳେ
ଶିଳାତନ୍ତୁ ରଟି ସେତ ଆହା ! କି ବିକଳେ
‘‘ହେ ବାଳକସ୍ରଷ୍ଟା ମୋର’’
ଗୋପନ ପ୍ରୟାଣେ ତୋର
କେବଳ ବିଳପେ ନାହିଁ ମୁହିଁ ମୁକଶିଳା
ଚିର ବିଲପିବ ଧରା ଚାରୁ କଳାଶିଳା ।
‘‘ଶିଳ୍ପି-ରାଜ ! ଶିଳ୍ପମୁହିଁ ମୋ ଶରୀରେ ଆତ୍ମା
ଅହଂକାର ଶୂନ୍ୟ ଆହା ସାତ୍ତ୍ୱିକ; ମହାତ୍ମା ।
ନିବେଶି ଚିତାର୍ଥେ ଯେବେ ବସର୍ଜିଲ କାୟା
ସ୍ରଷ୍ଟା ତୁମେ ସୃଷ୍ଟ ମୁହିଁ ପିତା ପୁତ୍ର ମାୟା
କରିବି ତର୍ପଣ ତବ
ମାତ୍ର କଳା-ଗଉରବ
ନୁହେଁ ଦେବ ଏକାଧାରେ ତ୍ୟାଗ ମହାଗାଥା
ପ୍ରଚାରିବି ଭଗ୍ନଅଙ୍ଗେ ଜୀର୍ଣ୍ଣକଣ୍ଠେ ବାର୍ତ୍ତା ।
ମଶିଲେ ମୁଁ ଧରାଅଙ୍ଗେ ନାହିଁ ସ୍ରଷ୍ଟା ! ଭୟ
ଆଜି ତବ ଶୁଭ୍ର ଆତ୍ମା ଅଜେୟ ଅକ୍ଷୟ
ଦର୍ପୀକାଳ ବଜ୍ରାଘାତେ ମୋ ତନୁ ବିଚୂର୍ଣ୍ଣ
ହେବ ଯେଣୁ ମୁହିଁ କଳା ଅହଂକାରପୂର୍ଣ୍ଣ
ତେଜି ଉଷାରୁଣ- ରଥ
ଚଳେ ଯଥା ନଭପଥ
ଅର୍କ ସହସ୍ର କିରଣେ, ତଥା ହେ ବାଳାର୍କ
ରାଜିବ ଜଗତେ ଚିର; ପ୍ରଣାମେ କୋଣାର୍କ ।’’
ତରକି ପଳାଉ ବନ ଅନ୍ତରାଳେ
ଲୁଚିଯାଉ ଲତାପତର ତଳେ
କାହିଁପାଇଁ କହ ହରିଣୀ ଶିଶୁରେ
ପଲକର ମୋର ଦୃଷ୍ଟିପାତରେ ।
ବ୍ୟାଧ ମଣିଲୁ କି ମୋତେ ରେ ଶାବକ
ବ୍ୟାଧରୂପୀ ମୁହିଁ ମଣିଷ ଯେଣୁ
ଦୃଷ୍ଟିଶରେ ବିଦ୍ଧ ହୋଇ କିରେ ଶିଶୁ
ପରାଣ ବିକଳେ ପଳାଉ ତେଣୁ ।
ସବୁଜ ବନେ ତୋ ସବୁଜ ସଂସାର
ସବୁଜ ଆନନ୍ଦେ ସଦା ତୁ ଭୋଳ
କୁଟିଳ ସାହାରା ଦୁନିଆ ମଣିଷ
ମଣି ଦୂରେ ଲୋଡ଼ୁ ସରଣୀ ତୋର ।
ଥରେ ଥରେ ଲୁଚି ପତର ଗହଳେ
ଦଣ୍ଡେ ପୁଣି ମୋତେ ନିରେଖି ଚାହୁଁ
ସେଇ ବ୍ୟାଧଜାତି ଲୋଲୁପ ମଣିଷ
ଅବା ତୋ ସବୁଜ ବନ୍ଧୁ କି ଆାଉ ।
ନୁହଁଇ ମୁଁ ବ୍ୟାଧ, ନୁହେଁ ମୁ କୁଟିଳ
ଅନ୍ତର-ଝରଣା ପଡ଼ଇ ସ୍ତବି
ତୋର ଦରଶନେ ସବୁଜ ସାଥି ମୁଁ
ଆସିଛି ଆବେଗେ ସ୍ୱରୂପ କବି ।
ନିରେଖି ଥରେ ତୁ ଚାହିଁ ମୋ ନୟନେ
ତୋର ଦରଶନେ ମୋ ପ୍ରାଣ ଉତ୍ସ
ଉଛୁଲି ଉଠିଛି ଜଗତ ବିଭବ
ତୋ ସରାଗଠାରେ ମଣଇ ତୁଛ ।
ରୁକ୍ଷ ମଣିଷର କୋଳାହଳ ଦୂରେ
ସ୍ରଷ୍ଟାର ନିସର୍ଗ ମଞ୍ଜୁଳ ପୁରେ
ବିଶ୍ୱ ପ୍ରେମମୟ ମଙ୍ଗଳ ଗାୟତ୍ରୀ
ଶୁଣୁ ସୁଇଳିତ କାକଳି ସ୍ୱରେ ।
ନୀରବ ଧ୍ୟାନରେ ତାପସ ପରାୟ
କର ସତ୍ୟ ଶିବ ସୁନ୍ଦର ପୁଜାଃ
ଲୋଡ଼ୁନାହୁଁ ବିଶ୍ୱେ ବଜାଇବୁ ବାଜା
ଉଡ଼ାଇବାକୁ ବିଶ୍ୱ ବିଜୟ-ଧ୍ୱଜା ।
ହ୍ରଦ ଚିରି ମୋର ଥରେ ଦେବୀ ବନ୍ଧୁ
ତମ ଭାବ ମୋର ଅନ୍ତରେ ଭରା
ତରକି ପଳା ନା ହରିଣ ଶିଶୁ
ସେ ମହାସାଧନ ନିରତ ସାଧକ
କାୟା ବ୍ୟବଧାନ ମାତ୍ରକ ପରା ।
ଆସ ବନ୍ଧୁ ମୋର ନ ଯାଅ, ନ ଯାଅ
ନିରେଖ ଥରେ ମୋ ଅନ୍ତର ଛବି
ତୁମେ ବନ୍ଧୁ ମୋର ତୁମରି ସରାଗେ
ଅଲୋଡ଼ିତ ହୋଇ ଧାଇଁଛି କବି ।
କୁଳୁ କୁଳୁ ତାନେ ତଟିନୀ ଚାଲଇ
କଲ୍ଲୋଳ-କାହାଳୀ ବାଇ
ସଞ୍ଜରାଣୀ ଆସେ ସରଗୁ ଓହ୍ଲାଇ
କଳାପାଟ ଶାଢୀ ଛାଇ ।
ଆଷାଢ ଉସାଣ ବଉଦ-ରଥର
ଉଢାଳେ ତାରକା ଥାଇ
ଉଙ୍କିମାରି ଖେଳେ ଲୁଚକାଳି ଖେଳ
ସହଚରୀ ମେଳ ପାଇ ।
ସରଳ ତରଳ ପରାଣ ଯାହାର
ତା ପାଶୁଁ କେ ପାରେ ଛପି ?
ତା’ ହୃଦ- ମୁକୁରେ ବନ୍ଧୁମୂର୍ତ୍ତ ଝଳେ
ଥାଉ ସେ ଯେଣେ ଯଦ୍ୟପି ।
ଦରପଣ ଝଳା ତଟିନୀ-ହୃଦରେ
ଯହିଁ ଯାଉଥାଏ ତାରା
ବିମ୍ବିତ ହୁଅଇ ପ୍ରତିଛବି ତାର
ଯେଣେ ଯାଏ ନଭ ସାରା ।
ଉଡ଼ି ଆସିଲେଣି ଦଳ ଦଳ ହୋଇ
ସୁଦୂରୁ ଚଢେଇ ପଲ
ଷୋଡ଼ଶୀ-ତଟିନୀ ଅଭିସାର ଗୀତେ
ସତେ କି ହୋଇ ବିହଳ ।
କଳା ବଉଦରେ ଝଟକେ ବିଜୁଳି
ପରିହାସେ ଠାରେ ଆଖି
‘ଯାଅ’, ମାତ୍ର ଗୋରୀ’ ଦରିଆ-ରସିକ
ପ୍ରୀତିରେ ନ ଯିବୁ ଲାଖି ।
କୂଳ ଦେଉଳରେ ବାଜିଲାଣି ଘଣ୍ଟା
ଶଙ୍ଖ ମୃଦଙ୍ଗର ନାଦ
ପବନ ପାରଳ ବିଭୁ-ପ୍ରେମେ ବାଏ
ପତରେ ମର୍ମର ବାଦ୍ୟ ।
କଳାପତନୀରେ ସୁବର୍ଣ୍ଣ ମାଣିକ୍ୟ
ପଦକ ଜଡ଼ାଣ ଭଳି
କୂଳବତୀ ମାଳା ଅନ୍ଧାର ଫୁଟାଇ
ପଲକେ ଉଠିଲେ ଜଳି ।
ବତୀସ୍ତମ୍ଭ ଦୂରେ ଅନ୍ଦାର ଉଢାଳେ
ଦୁଇଟି ତରଳ ପ୍ରାଣ
ତରଳ ତଟିନୀ ସଙ୍ଗତେ ମିଳାଇ
ଦରଫୁଟା କଣ୍ଠତାନ ।
ଜଣେ ଗାଏ ‘ତମେ ମୋର, ମୁଁ ତୁମର’
ଆରେକ ଲଳିତ ରାଗେ
କ୍ଷୀର ସଙ୍ଗେ କନ୍ଦ ବୋଳି ଦେଲା ପ୍ରାୟ
ଶ୍ରବଣେ ମଧୁର ଲାଗେ ।
ଏକ କହେ ‘ହେଲେ ଦରିଆ, ମୁଁ’ ଆନ
‘ତଟିନୀ ତମର ପ୍ରିୟା’
‘ମୁଁ ସଙ୍ଗୀତ ତମେ ମୂର୍ଚ୍ଛନା, ଆଲୋକ
ହେଲେ ମୁହିଁ ପ୍ରିୟ ଛାୟା ।
ତମେ ମୋ ନାଉରୀ, ନାଆ ମୁଁ ତମର
ପୀରତି ଆମ କ୍ଷେପଣୀ
କୁଟିଳ ଦୁନିଆ କଟାଇ ମୁକର
ଧରିବା ଆମ ସରଣୀ ।
‘ତମେ ମୋର’ ମୁହିଁ ତମର ଯଦିଟି
ପୀରତି ଲୋତକେ ଲେଖା
‘ଚନ୍ଦ୍ରରୁ ଜୋଛନା’ ‘ରବିଠାରୁ ପ୍ରଭା’
ଭିନ୍ନ କାହିଁ ଅଛି ଦେଖା ?’’
ଗଗନଟା ‘ଘୋଟି ବଉଦ ଆସିଲା
ଝଟକେ ବିଜୁଳି କୋଳେ
ସୁଉ ସୁଉ ତାନେ ବରଷା ସଙ୍ଗୀତ
ସିଞ୍ଚିଲେ ପୀରତି ଭୋଳେ ।
ବଉଦ ବିଜୁଳି ଛନ୍ଦ-ଲହରୀରେ
ଡ଼ୁବିଗଲା ବେନି ସ୍ପର
ପାରାବାରେ ନୀର ମିଳିଲେ କି କେବେ
ମିଳଇ ଭେଦ ଅନ୍ତର ?
ବିଶାଳ ନଗରୀ ଭାବ ବିଭୋର କି
ନିରେତେ ସେ ପ୍ରେମ ଛବି ?
ଦୀପାବଳୀ ନେତ୍ର ଅପଲକ ତାର
ଭାବ ନିମଗନ କବି ।
ଅଦୂରେ ଶୁଭିଲା ଠନ୍ ଠନ୍ ହୋଇ
ଘଣ୍ଟାନାଦ ଦଶ ବାର
ହସେ ବେନି ଭୂଷା ତରୁଣ-ତରୁଣୀ
ଧରି ରାଜପଥ ଧାର ।
ଭିଜୁଥିଲା ତନୁ ଚାଲିଥିଲେ ବେନି
ଅସରନ୍ତି ଭାଷା କହି
ଶୂନ୍ୟ ରାଜପଥ ମୂକ ଅଟ୍ଟାଳିକା
ସାକ୍ଷୀ ମାତ୍ର ଥିଲେ ରହି ।
ଢଳ ଢଳ ଚଞ୍ଚଳ ତଟିନୀର ଉରସେ
ଝଲ ମଲ କାଞ୍ଚନ ଅଞ୍ଚଳ ପରଶେ
ବିମ୍ବିତ ହସ ହସ ମୁଖଶିରୀ ଯୁଗଳ
ସ୍ତବ ଜଟିଳମୟ କୁଟ-ଧରା-ଚହଳ
ଫଗୁଣର ମୁକୁଳିତ ତଟ ଶ୍ୟାମକୁଞ୍ଜେ
ପଞ୍ଚମେ ପିକ ଗାଏ ମଧୁକର ଗୁଞ୍ଜେ
ଅମୃତ ପରଶରେ କିଶଳ ଅଥୟ ।
ଶୂନ୍ୟ ତରଣୀପରେ ଅନ୍ୟ କେ ନାହିଁଟି
ସ୍ୱର୍ଣ୍ଣ-ଜଗତ-ଯୁବ ଯାତ୍ରୀ ସେ ଦୁଇଟି
ଯୌବନ-ନନ୍ଦନ ସ୍ୱର୍ଣ୍ଣ ପକ୍ଷୀ ଯୁଗଳ
ଯୌବନ ସ୍ୱର୍ଗୀୟ- ସୁଧା-ପାନେ ଚିହଳ
ବନ୍ଧନ ଦୂରେ, ଦୁଇ ଏକ ଫାଶେ ଛନ୍ଦା
ତରୁଣ-ତରୁଣୀ- ପ୍ରେମ ରଙ୍ଗିନ ସନ୍ଧ୍ୟା
‘‘ଆଲୋକ ମୁଁ ଛାୟା ଗୋ’’
ଏକ ପରେ ଆନ ରାଏ ‘‘ଜୀବନ ତୁ କାୟା ଗୋ’’