ଦିଗ୍‌ବଳୟ

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

 

 

ପ୍ରକାଶକ

ଫ୍ରେଣ୍ଡସ ପୁବ୍ଲିଶର୍ସ

କଟକ -୨

 

 

 

 

 

ସୂଚୀପତ୍ର

ବିଷୟ

ଦୂର ଦିଗ୍‌ବଳୟ

ସପନ ଭୂଇଁ

ଅଭିଯୋଗ ଭଜେ ବିଲୟ ଯହିଁ

ଚାହା ! ଚାହା !

ପ୍ରଶ୍ନ

ରାମ

ଯଥାର୍ଥ

ମାଗେ

ଅଜଣାର ସାଥୀ

ମରଣ-ପ୍ରତିଜ୍ଞା

ସାଗର-ତୀରେ

ସେଇ ପଥେ

ଅମୃତଧାରା

ପ୍ରତୀକ୍ଷା

ମୋର ମନର ମଣିଷ କାହିଁ

ଚାହିଁରହ

ଜୀବନ ସାରା ରହିଚି ଚାହିଁ

ବିରାଟ ଧିଆନେ

କବି

କାହିଁ ?

ଗରିବ କବିର ଜନ୍ମଦିନ

ପ୍ରାଣର ଅଧିକାର

ନାବିକ

ଛୋଟ ନଈ

ମଣିଷ ବକ୍ଷ ଲୋଡ଼ା

କେଡ଼େ ଦୁର୍ବିସହ !

ଜ୍ୟୋତିରିଙ୍ଗଣ

ନିରଞ୍ଜନ

ନିସର୍ଗର ଦେଶେ

ପ୍ରଣାମ

ରହିଥାଉ

ପଲ୍ଲୀ ବରଷା

ଅପେକ୍ଷା ଓ ଉପେକ୍ଷା

ସୀମାନ୍ତ-ବାସିନୀ

କେଉ ପଥେ ?

ମାନବ-ଦେବତା

ମର୍ତ୍ତ୍ୟର ମୋହ

ସ୍ମୃତି ତାର ଅକ୍ଷୟ !

ପାଥେୟ

ମେଲା-ଡିହ

ଯିବି

ବନ୍ଦୀ

ବାଧିଥିବ

ଆକାଙ୍‌କ୍ଷା

ରାଣୀ

ଏଥର ନାହାନ୍ତି ଆଣି

ମାଆର ମାୟା

ଗୃହିଣୀ ପ୍ରିୟା

କଲମ-ମୁନ

ପଲ୍ଲୀ-ବାଳା

ଦେଖିଚ କି ତମେ (?)

କୃଷକ ସମାଧି (?)

ଜୀବନ

ସିଏ ତ ଆସିଥିଲା !

ମୁଠିଏ ଦିଏ

ଗୋଟିଏ ଘଟଣା

କବି ଓ ରାଜଜେମା

ପେଟର ଦୁଃଖ !

ଭୁଜବଳ ବୁଢ଼ୀ

କାହିଁ ସେ କହ କେଉଁ ପଥେ ?

ରୂପ-ସମ୍ମାନ

ନବ-ଯୌବନା

କିନ୍ତୁ ମନେରଖ

ପାରିବ ?

ଯେବେ ଦିଅନ୍ତି ଚାହିଁ

ମାନସୀ ରାଣୀ

ତାର ଅନ୍ତରଭରା ଚାହାଣୀ

ଧନ୍ୟ

ପ୍ରୀତି-ତୃଷ୍ଣା

ତୁମରି ଆଶେ

ଗୋପନେ ଗୋପନେ ଚାହିଁରହିଲେ

ଅଦ୍ୱିତୀୟା

ପ୍ରିୟତମା

ପ୍ରଥମ ପରିଚୟେ

ପାରିନି

ପ୍ରେମ ଓ ପ୍ରାଣ

ବନ୍ଧନ କର ମତେ

ଟିକିଏ ପରଶ

ତୁମ ତୁଲେ

ଆପଣାର କର ମତେ

ଛାଡ଼ିଦେଲ

ଏ ପାଖେ ଓ ସେ ପାଖେ

ଏ ପଥେ

ମୋ ପାଇଁ

ଜ୍ୟୋତ୍ସ୍ନାର ଆକାଶ ତଳେ

ଯଥେଷ୍ଟ ମୋହର ସେଇ

ଆଜି

ତୁମେ ଓ ମୁଁ

ଜୀଇଥିଲେ

ଯାଉଚି, ଥାଅ !

ଗୋଟିଏ କଥା

ହୃଦୟର ଦାନ

ଆଜି କିମ୍ପା ଯାଇଅଛି ମରି ?

ପ୍ରବାସୀ-ପଥିକ

ଆସିଲି କି ଫେରି ?

ଯୁଗଳ-ଯାତ୍ରୀ

ଅସରନ୍ତି

ବିଶ୍ୱାସ

କି ଦେବି ପ୍ରତିଦାନ

ପାଷାଣର ପାଦତଳେ

ବିପ୍ଲବ

ହେ ମୋର ଉନ୍ମୁକ୍ତ ଜାତି !

ପ୍ରତିଜ୍ଞା

ଯୁଦ୍ଧଯାତ୍ରୀ

ଜୀବନ-ଶ୍ମଶାନ

ପୂର୍ଣ୍ଣହୁଅ !

 

 

 

 

 

 

 

 

 

 

 

 

 

 

 

 

 

ଦୂର-ଦିଗ୍‌ବଳୟ

-ଏକ-

ଦୂର ଦିଗ୍‌ବଳୟ !

ସାଥି ତୁମେ, ବନ୍ଧୁ ତୁମେ, ପ୍ରିୟ ତୁମେ,

ତୁମେ ମୋର ଆପଣାର ଅତି ପରିଚୟ ।

କରମେ ବିରାମେ ଅବା ଜୀବନର

ବିପନ୍ନ ସମୟେ

ତୁମରେ ମୁଁ କେତେ ଚାହିଁ ରହେ !!

 

ତୁମରି ସେ ପାହାଡ଼ ପ୍ରାନ୍ତର

ତୁମରି ସେ ଘନ ବନମାଳ;

ତୁମରି ସେ ମହା ବିଜନତା

ଆକାଶ ଅବନୀ ଧରି -

ପୂରି ରହିବାର,

 

ତୁମରି ସେ ସୁନେଲି ସୂର୍ଯ୍ୟାସ୍ତ

ଅବା ସୂର୍ଯ୍ୟୋଦୟ,

ତୁମ ସଂନ୍ଧ୍ୟା, ତୁମ ଉଷା,

ତୁମରି ସେ ଦୀପ୍ତ ଦ୍ୱିପ୍ରହର-

ମରୀଚିକାମୟ !

 

ତୁମରି ସେ ମେଘର ଘୁମନ୍ତ ଲୀଳା ଗିରିଚଳ-

ମହା ସ୍ୱପ୍ନବୋଳା,

ତୁମରି ସେ ଶ୍ୟାମବିଲମାଳ

ଲାଖି ରହେ ଯହିଁ ନେତ୍ର ଡୋଳା,

 

ତୁମରି ସେ ମେଷ-ଛାଗ-ଗୋଧନ ପଲରୁ

ଶୁଭିବାର ଗୋପାଳ ବାଳକ-

ମନ୍ଦ୍ର ବେଣୁ ତାନ.

ପାଏ କିବା ସୀମା ହୀନ ଆନନ୍ଦ କଲ୍ୟାଣ !!

 

 

 

-ଦୁଇ-

ଦୁର ଦିଗ୍‌ବଳୟ !

ମଣିଷ ରଖିଚି ମତେ

କରି କେଡ଼େ ଦୀନ ନିଃସହାୟ !

ମୂହୂର୍ତ୍ତ ମୂହୂର୍ତ୍ତ ଧରି ବକ୍ଷ ମୋର ଯାଉଅଛି ଫାଟି

 

ପାରୁନି ପାରୁନି ମୁହିଁ କରି ଅଗ୍ରଗତି

ସୀମାହୀନ ଶିଳାଖଣ୍ଡ ପଥପ୍ରାନ୍ତେ କାଟି;

ସାଥି ବୋଲି ବନ୍ଧୁ ବୋଲି କାରେ ଯେବେ

ଡାକ ଦିଏ ଥରେ,

ଫେରି ଆସେ ଡାକ ମୋର

ପଶେ ନାହିଁ କା’ କର୍ଣ୍ଣ-କୁହରେ ।

 

ବ୍ୟଥା ମୋର, ବାଣୀ ମୋର,

ମୋ ଅନ୍ତର ଦୁଃସହ ଯନ୍ତ୍ରଣା,

ମୋ ଅନ୍ତରେ ଜମି ରହେ;

ନୁହେଁ ମୁହିଁ ସାତ ପାଞ୍ଚେ ଗଣା !

ମୋରେ କେହି ବୁଝିବାକୁ---

 

ହୁଏ ନାଇଁ ଲବେ ଆଗଭର,

ପୃଥିବୀର ଆବର୍ଜ୍ଜନା ପରି

ମୁଁ ଯେହ୍ନେ ରହିଚି ପଡ଼ି

ଯୁଗ ଯୁଗାନ୍ତର !

 

ବୁକୁ ତଳୁ ଯାଇଅଛି ମରି ସିଂହର ବିକ୍ରମ

ଓଷ୍ଠ ପୁଟୁ ମରିଅଛି ହାସ

ପ୍ରସ୍ଫୁଟିତ ପଦ୍ମକଳି ସମ !

ଜୀବନରେ କେତେ ସୁନେଲି କଳ୍ପନା-

 

କେତେ କେତେ ତୁଙ୍ଗ ଅଭିଳାଷ

ସମସ୍ତର ହୋଇଛି ସମାଧି;

ରହିଚି ମୁଁ ହୋଇ ଯେହ୍ନେ

ନିରାଶୁ ନିରାଶ !!

 

-ତିନି-

ଦୂର ଦିଗ୍‌ବଳୟ !

ତୁମରେ ମୁଁ ଚାହେଁ ଦେଲେ

ମୋର ମୃତ ଜଡ଼ ଅନ୍ତର ଭିତରେ

ନୂତନ ପ୍ରାଣର କିମ୍ପା-

ହୁଏ ଅଭ୍ୟୁଦୟ !

 

ମଣିଷର ବର୍ବର ହୃଦୟ ମତେ ଯେବେ ଫିଙ୍ଗିଦିଏ

ଦୂରେ ଦୂରେ ବହୁ ଦୂରେ କାହିଁ

ଜନନୀରୁ ବଳି, ସୀମାହୀନ ମମତା କମ୍ପିତ କରେ

ତୁମେ ମୋରେ ଆଣ ହେ ଗୋଟାଇ !

ଝର ଝର ନେତ୍ର ପ୍ରାନ୍ତୁ ଅଶ୍ରୁ ଗଲେ ବୋହି

ମୋରେ ଯେବେ ଏ ପୃଥିବୀ

କରେ ଉପହାସ,

ବଳିଷ୍ଠ ବନ୍ଧୁର ବଳି, କି ସାହସ, ଉନ୍ମାଦନା

ଦିଅ ତୁମେ ବୋଳି

ମୋର ପ୍ରତି ରକ୍ତ କଣିକାରେ

ଜାଗିଉଠେ ଧରି କିବା ଅମିତ ଉଚ୍ଛ୍ୱାସ !!

 

କେହି ନାଇଁ ମୋର ବୋଲି ନୈରାଶ୍ୟର ଏକ ବିନ୍ଦୁ

ମୋ ଅନ୍ତରେ ବିସ୍ତାରିଲେ

ତା’ର ଶୀର୍ଣ୍ଣ ଛାୟା,

ଶାନ୍ତି ସୁଖ ଶୌର୍ଯ୍ୟ ବୀର୍ଯ୍ୟ ଉତ୍ସାହ ଓ ଉଦ୍ଦୀପନା---

ଜୀବନ୍ତ ବିଗ୍ରହ ପରି

ତୁମେ ମୋ ସମ୍ମୁଖେ ବାଢ଼ିଦିଅ କି ଅପୂର୍ବ ମାୟା ।

 

-ଚାରି-

ଦୂର ଦିଗ୍‌ବଳୟ !

ରହିଥାଅ ତୁମେ ଏଇପରି

ବିଲ ବଣ ନଦୀ ସିନ୍ଧୁ ଶ୍ୟାମଳ ପ୍ରାନ୍ତର ମାଳେ

ବିଜନତା ବଇଭବ ଧରି

ଅମୃତ ଅନ୍ତରେ ତୁମେ ହେଉଥାଅ ନିତି ଢଳ ଢଳ ।

ବନ୍ଧୁ ପରି ଘେରି ରହିଥାଅ ଚତୁର୍ଦ୍ଦିଗେ ମହାଜଗତର ।

ହେ ଅଶେଷ , ହେ ଅସୀମ ! ଅନ୍ତରର ହେ ଅନ୍ତରତମ !

ଅନନ୍ତର ବୀଣା ତାନ ଯୁଗ ଯୁଗ ଧରି

କରୁଥାଅ ତୁମେ ଗୁଞ୍ଜରଣ !!

ତୁମରି ଅନନ୍ତ ସ୍ପର୍ଶେ- ଦୋଳିଉଠୁ ମଣିଷର ମାଟି

ଅନନ୍ତେ ଅନନ୍ତେ ଦୋଳି ପାଏ ମୁହିଁ ମଣିଷ ଭିତରୁ

            ଅନନ୍ତର ସାଥୀ !!!

 

ସପନ ଭୂଇଁ

ମୁଁ ଗୋ      ଆକାଶରେ ନୀଳ ଦେହେ

ଭାସି      ଭାସିଯାଏ କିବା ସ୍ନେହେ !

ମୁଁ ତ      କୁସୁମ ପାଖୁଡ଼ା ରଙ୍ଗେ,

ଗୋଳି      ହୋଇଯାଏ ମଧୁ ଭଙ୍ଗେ;

 

ମୁଁ ତ      ମଳୟ ଭିତରେ ଜାଗେ

ଦୂରେ      ବହିଯାଏ ଅନୁରାଗେ,

ମୁଁ ଗୋ       ଶୁଭ୍ର ବାଦଲ ଚୂଳେ

ବୁଲି      ସପନ ଦେଖଇ ଦୂରେ

 

ମୁଁ ଗୋ ଜ୍ୟୋସ୍ନା ଢେଉରେ ଢଳି,

ଉଠେ      କି ମଧୁ ପୁଲକେ ଭରି !

ମୁଁ ଗୋ      କୁହୁ-କେକା-ଗାନେ ଗାନେ

କିବା      ମିଶିଯାଏ ପ୍ରାଣେ ପ୍ରାଣେ !

 

ମୁଁ ଗୋ      ନୀଳ ପ୍ରାନ୍ତର ଘାସେ,

ଶୋଇ       ପଡ଼େ କି ଅମର ହାସେ ।

କେଉଁ      ଶ୍ୟାମଳ ବିଜନ ଭୂଇଁ-

ତୁଲେ       କଥା ହେଉଥାଏ ମୁହିଁ ।

 

ମୁଁ ଗୋ      ପ୍ରତି ତାରକାରେ ଚାହିଁ,

କିବା      ସଙ୍ଗୀତ ଯାଏ ଗାଇ ।

ମୁଁ ଗୋ      ତଟିନୀ ତରଳ ଗାନେ-

ବୁଡ଼ି      ବୁଝୁଥାଏ ତା’ର ମାନେ ।

 

ମୁଁ ଗୋ      ଶିଶୁର ଦରୋଟି ବାଣୀ-

ତଳୁ      କି ପୀୟୁଷ ଯାଏ ଆଣି !

ମୁଁ ଗୋ      ନବଯଉବନା ବଧୂ-

ଓଠୁ      ପିଏ କି ସେନେହ-ମଧୁ !

 

ମୁଁ ଗୋ ନବ କିଶଳୟ ପରି-

କେଉଁ       କିଶୋରୀ ବକ୍ଷେ ଢଳି,

ତାରେ       ତୁନି ତୁନି କହେ କଥା

ଦିଏ       ସେନେହେ ଆଉଁସି ମଥା-

 

ମୋର       ବୁକୁ ତଳ ଉଠେ ଭରି

କିବା      ଅମୃତ ଶିରୀ ଧରି;

ମୁଁ ଗୋ      ସାଗର ସିକତା-ଶେଯେ

ଢଳି      ବୁଡ଼େ କି ଧିଆନେ ସେ ଯେ;

 

ମୁଁ ଗୋ      ସନ୍ଧ୍ୟା ତାରାରେ ଚାହିଁ

ମାଗେ      କିବା ଶିରୀ ମୋହ ପାଇଁ !

ଯେବେ ଚଇତ ଗୋଧୂଳି ସଞ୍ଜେ,

ଦୂର      ବାରୁଣୀ ଆକାଶ ରଞ୍ଜେ,

 

ବୁଡ଼ି      ବୁଡ଼ି ଯାଉଥିବା ରବି

ଘେନି      ଶତ ସପନର ଛବି,

ମୁଁ ଗୋ      ଚାହେଁ ବସି ନଈ ତଟେ

ଯାଏ       ଭାସି ମୋର ମନପଟେ

 

କେତେ      ବିଚିତ୍ର ମଧୁ ଆଶା,

ନାଇଁ      କହିବାକୁ ମୋର ଭାଷା;

ଯେବେ      ପାହାନ୍ତି କାକର ପଡ଼େ;

ଏଇ      ନୀଳ ଦୁବଘାସ ପରେ

 

ମୋର      ଅନ୍ତର ପଡ଼େ ଢଳି,

ତାରେ      ଦେଖିବାକୁ ମନ ଭରି ।

ଯେବେ      ସିନ୍ଦୁରା ଫାଟେ ନଭେ

ଲାଗେ       ପାଟ ଶାଢୀ ଗଉରବେ-

 

ଅବା      ପିନ୍ଧୁଚି ଉଷାରାଣୀ

ମୋର       ମନଟି ସେ ନିଏ ଟାଣି ।

ଲାଗେ      ଧରଣୀ ସାଗର ନଭ

କିବା      ମୂଲକ ଯେ ଅଭିନବ !

 

କିବା      ଅମର ପୁଲକେ ମାତି

ମୋର       ନାଚି ଉଠୁଥାଏ ଛାତି

ମୋର       ରୂପାରାଧୀ ଏଇ ମନ-

ପିଏ      କିବା ଶିରୀ ଅନୁପମ

 

ଦୂରୁ      ତପନ ଆସିଲେ ଢଳି,

ସାରା      ବିଶ୍ୱ ପ୍ରତିଭା ଭଳି,

କିବା      ଗୁରୁ ଗମ୍ଭୀର ଗାନ

ମୋର      ଉଛୁଳାଏ ମନ ପ୍ରାଣ !

 

ବଟ      ଆମ୍ବ ସୁନାରୀ ଛାୟା

କିବା      ସେନେହ ମମତା ମାୟା

ଘେରି      ରହିଥାଏ ଚାରିଆଡ଼ ।      

ଲଘୁ      କରିବାକୁ ବ୍ୟଥାଭାର;

 

ତହିଁ      ବୁଲୁଥାଏ ବହୁବାର;

ମୋର       ଚଉଦିଗେ ସମ୍ଭାର ।

ମତେ      କିଏ ସେ ଜନମ ଦେଲା

ଏଥି       କରିବାକୁ ନିତି ଖେଳା ।

 

ସବୁ       ସମ୍ପିଲା ଅକାତରେ

ମତେ      କିଭଳି ସେନେହ କରେ ।

ମୋର       ଅଭାବ କଅଣ କହ

ମୋର      ବ୍ୟଥା କିଆଁ ଦୁଃସହ ?

 

ମୁଁ ଗୋ       ଯହିଁ ଯାଏ ଯହିଁ ଚାହେଁ

ମୋର      ହୃଦୟ ଉଛୁଳି ଯାଏ !

ଏଇ      ସୀମାହୀନ ଧରା ନଭ-

କୋଟି      ଅନ୍ତର ସଉରଭ-

 

ମତେ      ଭଲ ଲାଗେ ! ଭଲ ଲାଗେ !

ମୁଁ ତ       ଆଉ କିଛି ନାଇଁ ମାଗେ;

ଯାଉ      ସୀମାହୀନ ଯୁଗ ବହି

ମୁଁ ତ      ଏହାରି ଭିତରେ ରହି-

 

ହୁଏ       ସବୁରି ତୁଲରେ ସାଥି

ଭରି      ଉଠୁ ମୋ ଗରିବ ଛାତି ।

ମୋର       ଅନ୍ତର ଖାଲି ଲୋଡ଼େ

ଚାହିଁ      ଏ ଭୂଇଁ ନୟନ ଡୋଳେ---

 

ହସି       ହସି ଦିନ ନେବି ବାହି,

ସବୁ      ଶିରୀ ମୁଁ ପାରିବି ପାଇ ।

ଏ ତ      ମୋ ଚିର ସପନ-ଭୂଇଁ

ଏହା      ଲାଗି ଆସିଅଛି ମୁହିଁ !!

 

ଅଭିଯୋଗ ଭଜେ ବିଲୟ ଯହିଁ

ମଣିଷ ମନର ସକଳ ଅଭାବ

ଅଭିଯୋଗ ଭଜେ ବିଲୟ ଯହିଁ,

କହ ମତେ କହ ! କାନେ କାନେ କହ ।

ଚଞ୍ଚଳ ମୁହିଁ ଯିବଇଁ ତହିଁ ।

 

ଛନ ଛନ ମୋର ଅନ୍ତର ମନ,

ଦେଖିବି ମୁଁ ସେହି ମୁଗ୍‌ଧ ଭୁବନ,

ମଳୟ ପରାଏ ଦୂରେ ବହୁ ଦୂରେ ଯିବି ମୁଁ ବହି;

ମଣିଷ ମନର ସକଳ ଅଭାବ

      ଅଭିଯୋଗ ଭଜେ ବିଲୟ ଯହିଁ ।

 

ଭୁଲିବି ସକଳ ଗୁରୁ ଅଭିମାନ,

ଭୁଲିବି ସକଳ ଅହଂକାର

ମତେ ନେଇ ଚାଲ ମତେ ନେଇ ଚାଲ

ଦେଖିବି ମୁଁ ସେଇ ସଂସାର ।

 

ସେଠି ତଟିନୀର କଳ କଳ ବାଣୀ

ଆହୁରି ଲାଗିବ ମଧୁର ତର

ସେଠି କୁସୁମର ଗନ୍ଧ ଆହୁରି

ମୁଗ୍‌ଧ କରିବ ଏ ଅନ୍ତର ।

 

ଶୀତଳ ଧବଳ ଜ୍ୟୋସ୍ନାରେ ତହିଁ,

ମନ ମତାଣିଆ ଗୀତ ଗାଇ ଗାଇ,

ସନ୍ତରୁ ଥିବି ଅଧୀର ପୁଲକେ,

ଚାହିଁ ବିଲ ବଣ ପାହାଡ଼ ନଈ,

ମଣିଷ ମନର ସକଳ ଅଭାବ

ଅଭିଯୋଗ ଭଜେ ବିଲୟ ଯହିଁ ।

 

ସେଇ ରାଇଜରୁ ଫୁଲ ଆଣେ ତା’ର

ଗନ୍ଧ ବରଣ ବୁକୁରେ ବହି,

ସେଇ ରାଇଜରୁ ପିକ ପଞ୍ଚମ

ଭାସି ଆସେ ଏଇ ସୁଦୂର ମହୀ;

 

ସେ ରାଇଜରୁ ବିଦ୍ୟୁତ ବାଳା

ଝଟକି ଝଟକି ଆସଇ ନାଚି,

ସେଇ ରାଇଜରୁ ଜୋଛନା ଝରଇ

ଧରଣୀରେ ବୁଣି ସପନ ରାଜି;

 

ସେଇ ରାଇଜରୁ ସାଗର ଊର୍ମି

ସେଇ ଆଭା ଧରି ଆସଇ ଖେଳି

ସେଇ ରାଇଜରୁ ଜନ୍ମ ଲଭି କି

ଆକାଶ ଦିଶଇ ଏ ଭଳି ନେଳି ?

 

ସେଇ ରାଇଜେ ମୁଁ ହସି ଖେଳି ନିତି,

ଅସୀମ ସୋହାଗେ ପାରିବି ରହି,

ମଣିଷ ମନର ସକଳ ଅଭାବ

ଅଭିଯୋଗ ଭଜେ ବିଲୟ ଯହିଁ !

 

ଉନ୍ମନ ମୁହିଁ, ଚଞ୍ଚଳ ମୁହିଁ,

କାନ ପାତି ଶୁଣେ କାହାର ବାଣୀ,

ଦୂରୁ ବହୁ ଦୂରୁ କେ ତାର ସେନେହ

ଯାଚି ଦିଏ ମୋର ମରମ ଜାଣି !

 

ଯିବି ମୁଁ ତହିଁ ଯିବି ମୁଁ ତହିଁ,

ବହି ଆସେ ଯହୁଁ ଅସୀମ ପ୍ରାଣର ଅସରା ନଈ,

ମଣିଷ ମନର ସକଳ ଅଭାବ

ଅଭିଯୋଗ ଭଜେ ବିଲୟ ଯହିଁ !

 

ଚାହାଁ ! ଚାହାଁ !!

ତାହାରି ଅଧର କଣେ ଟିକିଏ ଫୁଟୁଚି ହସ

ଆଖିରେ ଜାଗୁଚି ଟିକେ ଆନନ୍ଦର ଛଇ;

ବୁକୁ ତଳେ ଜାଗୁଅଛି, ଟିକେ ଉନ୍ମାଦନା;

ପ୍ରାଣବୋଳା ବାଣୀ ତା’ର ଓଠ ପୁଟୁ ଆସୁଅଛି ଫୁଟି;

ଶରତର ଶ୍ୟାମ ଘାସ ପରି, ଦେହେ ମନେ

ଉଠୁଚି ଉକୁଟି ଟିକେ ପ୍ରସନ୍ନର ଆଭା;

ନିର୍ଭୀକ ପ୍ରାଣର ଯେଉଁ ସରମାହୀନ ସାହସ ଉତ୍ସାହ

ଅନ୍ତରର ପ୍ରତି ରେଣୁ ତଳେ,

ଟିକେ ଟିକେ ଆସୁଅଛି ଛୁଇଁ;

ଦିଅନା ଦିଅନା ମାରି

ତୋ’ ବୁକୁର ଉତକଟ ଗରଳ ଢାଳି,

ଚାହାଁ ! ଚାହାଁ ! ଜୀବନର ଫୁଲ

ବର୍ଣ୍ଣ ନେଇ ଗନ୍ଧ ନେଇ, ରସ ନେଇ

କିମିତି ଉଠୁଚି ଫୁଟି

ଅପୂର୍ବ ମହକ ବୁଣି ଚତୁର୍ଦ୍ଦିଗେ ତା’ର !

ଚାହାଁ ! ଚାହାଁ !! ଖାଲି ଚାହାଁ !

ଚାଲ ପ୍ରତି ପଦେ ହୋଇ ହୁସିଆର !

ଆହୁରି ଫୁଟିବ ସିଏ ଆହୁରି ହସିବ ସିଏ,

ଆହୁରି ଦିଶିବ ସିଏ, ଜୀବନ୍ତୁ ଜୀବନ୍ତ !

ଆହୁରି ମୋହନ ଗନ୍ଧ

ଉଠିବ ପ୍ରସରି ତହୁଁ;

ଜୀବନର ଫୁଲ

କି ଅତୁଳ !

କି ମାଧୁର୍ଯ୍ୟ ଭରା !

ମଥା ତୋର ଆସେ ନାଇଁ ଲଇଁ ?

ଦେଖି ତାର ପ୍ରାଣବନ୍ତ ଛଇ !

 

ଚାହାଁ ! ଚାହାଁ !

ଆହୁରି ଆହୁରି ଚାହାଁ !

ଅନୁଭବ ଗର୍ବ ଗଉରବ !

ତୋ ପାଇଁ, ତୋହରି ଏ

ସୀମାହୀନ ମାଟି ପାଇଁ,

 

ଫୁଟୁଚି ସେ ଅନନ୍ତ ସମ୍ପାଦ ଧରି;

ଦିଅନା ଦିଅନା ତାରେ

ଦିଅନା ଝଡ଼ାଇ !

ଅନ୍ତରର ପ୍ରତି ବିନ୍ଦୁ ରକ୍ତ ଦେଇ

ଭଲ ପାଅ ତା’ରେ !

 

ଚାହାଁ ! ଚାହାଁ ! କି ଭଳି ରୋମାଞ୍ଚି ଉଠି

ସୀମାହୀନ ପୁଲକରେ,

ଫୁଟୁଚି ସେ ଛୁଟିଚି ସେ,

ଅନନ୍ତ ବିଭାରେ !

 

ପ୍ରଶ୍ନ

ସାଥି ମୋର ! ପ୍ରିୟ ମୋର ! ସୁଦୂର ବିଦେଶ ବାସେ

ରହିଅଛି ହୀନିମାନେ, ଫେରିବାକୁ ଗୃହ ପାଶେ-

ଯେତେ ଚେଷ୍ଟା କଲେ ମଧ୍ୟ ଯାଉଚି ବିଫଳ ହୋଇ

ବିଜନ ବନ୍ଦୀଟି ପରି ରହିଚ କି ବ୍ୟସ୍ତ ନୋହି ?

 

ସାହାଯ୍ୟ ସହାନୁଭୂତି ଗୋଟିଏ ବିନ୍ଦୁ ବି ହାୟ !

ତୁମ ଲାଗି ଝରୁନାଇଁ କି ବିରାଟ ଅନ୍ତରାୟ-

କିଏ ସେ ଦେଇଚି ଖଞ୍ଜି ? ଏ ସୃଷ୍ଟିର ଚାରିଆଡ଼

ପ୍ରାଣହୀନ ତୁମଲାଗି, ମରୁଚାରୀ ଅସମ୍ଭାଳ-

 

ତୃଷାର୍ତ୍ତ ଜୀବନ ଧରି ତୁମେ ଯେ ଚାଲିଚ ପଥ

ମରୂଦ୍ୟାନ ମଧୁସ୍ୱପ୍ନ ଦେଖି ଦେଖି ଅବିରତ-

ଶତ ଝଡ଼ ଝଞ୍ଜା ସହି, କୋମଳ ଅନ୍ତରେ ତବ

ଏତେ ଆଶା ଏତେ ସ୍ୱପ୍ନ ସବୁ କଣ ବ୍ୟର୍ଥ ହବ ?

 

ଅଗ୍ନିରେ ଯେ ଝାସ ଦେଇ ଚାଲିଅଛି କାଳକାଳ

ପରାଜୟ ପରାଭବ ହେବ କି ତା ପୁରସ୍କାର ?

 

ରାମ

ଏ ମହାସୃଷ୍ଟିରେ ତୁମେ ଆନନ୍ଦର ଅମୃତର

ଗୋଟିଏ ଭାବମୟ ପ୍ରାଣୀ;

ଯୁଗେ ଯୁଗେ କାଳେ କାଳେ

ତୁମେ ବଞ୍ଚି ରହିଅଛ

ଆକାଶ ଅବନୀ ଭରି

ଅଭିରାମ ବେଶେ,

ଶ୍ରବଣେ ଶ୍ରବଣେ

ଢାଳି ସୁମଙ୍ଗଳ ବାଣୀ !

 

ତୁମେ ନୁହ, ମୋ ଆଖିରେ

ଦେବତା, ମନୁଷ୍ୟ,

ତୁମେ ନୁହ ରାଜା ବା ସମ୍ରାଟ,

ଏ ସୃଷ୍ଟିର ସୀମାହୀନ-

ଅତ୍ୟାଚାର, ଅନାଚାର

ପାପ କିଳ୍‌ ବିଷର

ଅବିଶ୍ୱାସ, ହିଂସାହତ୍ୟା-

ମହା ଅନ୍ଧକାର

ଭୀମ ଭୟଙ୍କର ମରୁଦେଶେ,

ତୁମେ ସୀମାହୀନ

ସବୁଜ ସମ୍ପଦ ଶୋହା

ଉଠୁଚି ପଲ୍ଲବ,

ଅମୃତ ଉଦ୍ଦେଶେ;

 

କବି, ଶିଳ୍ପୀ, ସାଧକ, ସନ୍ନ୍ୟାସୀ,

ରାଜା, ପ୍ରଜା, ଧନୀ, ମାନୀ,

ଅତ୍ୟାଚାରୀ, ଅନାଚାରୀ,

ପାପୀ, ତାପୀ, ରୁଗ୍‌ଣ, ପଙ୍ଗୁ,

ସକଳର ଦେହେ ଦେହେ,

ମନେ ମନେ,

ଆତ୍ମାରେ, ଆତ୍ମାରେ,

ବରଷି ଯାଉଚ ତୁମେ

ପୁଲକ-କଲ୍ୟାଣ,

ସବୁରି ସତ୍ତାରେ

ହୋଇ ବିରାଜିତ;

ତୁମେ ମହା ଧରଣୀର

ତନ୍ତ୍ରେ ତନ୍ତ୍ରେ ବାଜୁ ଅଛ

ବିଶ୍ୱ ବିମୋହନ

ବିରାଟ ବିପୁଳ ସଙ୍ଗୀତ ! ! !

 

ଯଥାର୍ଥ

ସେଇ ତ ଯଥାର୍ଥ ଦାନ ଯେତିକି ଦେଇଚ ମତେ

ହାତ ଯୋଡ଼ି ଆଉ କିଛି ମାଗେ ନାଇଁ ଅବିରତେ;

ଯେତିକି ଦେଇଚ ମତେ ତହିଁରେ ସନ୍ତୋଷ ମମ

ତାହା ଘେନି ବାହି ନିଏ ମୋ ତରଣୀ ପ୍ରିୟତମ !

 

ଏତିକି ମାଗୁଣି ମୋର ତବ ଶ୍ରୀ ଚରଣ ତଳେ

ଦେଇଚ ଯା ସେତିକିରେ ଆନନ୍ଦେ ମୁଁ ଗତି କରେ ।

ଫୁଟାଏ ଅମୃତ ଜ୍ୟୋତି ତୁମ ସେଇ ମହା ଦାନେ,

ଯେତେଦିନ ରହିଥିବି ଏ ବିଶାଳ ଧରାଧାମେ !

 

ମୋ ପାଇଁ ମୁଁ ଆଉ କିଛି କରେନାଇଁ ଲବେ ଅଳି

ତୁମ ଦାନେ ଫୁଟି ଉଠୁ ମୋ କ୍ଷୁଦ୍ର ଅନ୍ତର କଳି !

 

ମାଗେ

ରାସ୍ତାର ଏ ଗଛ ଛାଇତଳେ

ଯେଉଁଠି ପଡ଼ଇ ଝରି ଫୁଲ ଅଗଣନ,

ଯେଉଁଠି ହେଲେ ବି ଠିଆ ଦଣ୍ଡେ ବା ଘଡ଼ିଏ

କୁସୁମର ମଧୁଗନ୍ଧ, ପାହାଡ଼ର ନୀଳକାନ୍ତ ଛଇ

ଅଯାଚିତେ ମୋ ପରାଣେ ଢାଳିଦିଏ ଆନନ୍ଦ ପରମ,

ଯେଉଁଠି କେତେ କେତେ ପରାଣର

କେତେ ସ୍ମୃତି-କେତେ ହାସ, କେତେ ଅଶ୍ରୁ-

ଜୟ ପରାଜୟ ପଡ଼ିଯାଏ ମନେ

ସେଠି ଆଜି ଏକା ଏକା ହୋଇଚି ମୁଁ ଠିଆ

ଆପଣାକୁ ଏ ମାଟିର ପ୍ରତି ରେଣୁ ସହ

ବାନ୍ଧି କିବା ମୋହନ ବନ୍ଧନେ !

 

ଜୀବନରେ କେତେ କେତେ ଥାନେ

ଆସିଚି ମୁଁ ବୁଲି,

ସବୁରି ଭିତରେ ମୋରେ କିମ୍ପା

ଭଲ ଲାଗେ ଏତେ

ଏ ପାହାଡ଼ ଏଇ ବଣ ବୁଦା

ଏଇ ମାଟି ଧୂଳି !

 

ମୋ ଆଖିରୁ ଝରି ଗଲେ

ଟୋପାଟିଏ ଲୁହ

ମୋ ଅନ୍ତର ଟିକକ ବେଦନାରେ

ହେଲେ ତରଙ୍ଗିତ

ଏଇ ଧୂଳି ମାଟି ଭିତରୁ

ଘେନି କାହା ମୋହନ ଇଙ୍ଗିତ

ସବୁ ଭୁଲିଯାଏ

ଏଥି ସତେ ମୋହ ଲାଗି

କି ଯାଦୁ ମନ୍ତ୍ର ଥାଏ !

 

ହେ ରାସ୍ତା ! ଯହିଁ ପଦ ଚାରଣ କରି

ଚାଲିଚି ବହୁବାର !

ହେ ଶାନ୍ତ ଶୀତଳ ପୁଷ୍ପିତ ତରୁଟି ମୋର !

ତୁମରି ଜୀବନରେ କେତେବାର ରହିଅଛି ଚାହିଁ

ତୁମ ଛାଇ ତଳେ ବସି

ଦେଖିଛି ବି ସପନ ସମ୍ଭାର !

 

ହେ ସବୁଜ ପାହାଡ଼ !

ତୁମକୁ ଦେଖିଲେ ଜୀବନ ମୋର

କି ଅପରିସୀମ ମୁଗ୍‌ଧ ଆନନ୍ଦରେ

ହୋଇ ନାହିଁ ସତେ ଢଳ ଢଳ

ହେ ଜନତା ! ମୋ ପାଇଁ ରହିଚି କିପରି

ତୁମରି ପ୍ରସାରିତ ମୋହନ ଅନ୍ତର !

 

ଏ ଜନ୍ମର ବିଦାୟ ପରେ

ମୋରେ କେ ରଖିବ ଧରି ?

ମୋରେ କେ ଚାହିଁବ ଏତେ

ଆପଣାର କରି !

ଭାଳି ହୁଏ, ଏଇ ରାସ୍ତା, ଏ ପାହାଡ଼ ସନ୍ନିକଟ

 

ଏ ବିମୋହନ ଗଛ ଛାଇ ତଳ

ମୁଁ ଏ ସବୁ ଯାଆନ୍ତି ନାଇଁ ଛାଡି;

ମୋ ଆତ୍ମା ମୋର ଦେହ ମନ

ଏଇଠି ଘୂରି ବୁଲୁଥାନ୍ତା ଦିନ ରାତି ଷୋଳ ଘଡ଼ି !!

ଶାନ୍ତି ଆଉ ଆନନ୍ଦର ବିପୁଳ ପ୍ଳାବନେ

ଚିର ଦିନ ବୁଡ଼ି ।

 

ମୁଁ ରାଜାର ସନ୍ତାନ ନୁହେ

ନାଇଁ ମୋର ରାଜ-ସିଂହାସନ,

ବିପୁଳ ସମ୍ପତ୍ତି

ମୁଁ ଗଣ୍ୟ ମାନ୍ୟ ପ୍ରତିପତ୍ତିଶାଳୀ-

ଜୀବନର ଐଶ୍ଚର୍ଯ୍ୟରେ

ବଳାଇନି ମତି

ଏ ସବୁର ରୂପ ଅଛି, ଗନ୍ଧ ନାଇଁ,

ଏ ସବୁର ସ୍ଥିତି ଅଛି, ପ୍ରୀତି ନାଇଁ;

ମତେ ଗନ୍ଧେ ଗନ୍ଧେ

ଅନ୍ଧ ଦିଅ କରି,

ପ୍ରୀତିର କନକ ସୁଏ

ବାହି ନିଅ ମୋର ନିଃସ୍ୱ ତରୀ

ମାଗେ ଆଜି, ବକ୍ଷ ପାତି ମାଗେ

ଏଇ ରାସ୍ତା, ଏଇ ଗଛ ଛାଇ

ଏ ପାହାଡ଼,

ଏଇ ସରଳ ଶାନ୍ତ ଜନତାର ଆଗେ

ରଖ ମୋରେ ଚିର ଦିନ ପାଇଁ

ତୁମ ବୁକୁ ତଳ କୋଟି ଅନୁରାଗେ ।

 

ଅଜଣାର ସାଥୀ

ସେ ଯେ ମୋର ସୀମାହୀନ ବେଦନାର ସାଥି ଗୋ !

ନୟନୁ ବହିଲେ ଲୁହ ଦେଇଯାଏ ସେ ଅଭୟ

ଲୁଚି ଲୁଚି ଛପି ଛପି ଥରେ ଆସି ଗୋ

ତୁନି ତୁନି ଭାଷେ କେତେ ଭାଷି ଗୋ

ଆସେ ସେହୁ ଆସେ ଆସେ

ମୋହରି ଗରିବ ବାସେ

ଯେତେ ଦୂର ହେଉ ତାର ଆପତ୍ତି ନାଇଁ ଗୋ

ସବୁ ସିଏ ସହି ପାରେ ଖାଲି ମୋହ ପାଇଁ ଗୋ ।

 

ଏ ଜୀବନେ କେତେ ବାର ହତାଶ ନୟନେ ଚାହିଁ ରହିନି !

କେତେ ଲୁହ ଏ ମରମ ଚିରି ମୋର, ବହିନି ?

କେତେ ଝଡ଼ ଝଞ୍ଜାର ଭିତରେ ଭିତରେ ମୋର-

ନିଃସ୍ୱ ଏ ବୁକୁ ତଳ କୋରି ହୋଇ ଯାଇନି !

ଏ ସାରା ଧରଣୀ ମୋରେ

କେତେ ବିଦ୍ରୁପ କଥା କହିନି !

ଦୁଃସହ ବ୍ୟଥା ଭାରେ ମୁଁ ଚାହିଁ ରହିଲେ

ଦୂର ବଳୟେ !

ସେ ଗୋ ଆସେ କେଉଁ ମହା ଶୂନ୍ୟରୁ

ନିଃସ୍ୱ ମୋ ଆଳୟେ !

 

‘‘ବ୍ୟଥିତ କାହିଁକି କବି ! କହ ମତେ କହ ହେ

ପାଖେ ପାଖେ ଅଛି ମୁହିଁ ତୁମ ଆଶ୍ରୟ ହେ !’’

ନୂତନ ଜୀବନ ମତେ ଆଣିଦେଲା ପରି ଗୋ

ସେ କଥା ପଦିକି ଦିଏ, କି ଅଜଣା ବଇଭର ଭରି ଗୋ !

କେତେ ଆଶା ପଲ୍ଲବି ଯାଏ ବୁକୁ ତଳରେ

ଭଗ୍ନଜାନୁ ମୁଁ କବି

ଠିଆ ହୁଏ ପୁଣି ନବ ବଳରେ !

 

କିଏ ମୋର ଅଜଣାର ସାଥି ସେ ?

ଅଜଣାରୁ ଆସି ମୋରେ-

କହିଯାଏ କାନେ କାନେ ଅଜଣାର ବାରତା,

ନୂତନ ସପନ ଦେଖେଁ ନବ ଅରୁଣିମା ପରି

ଫିଙ୍ଗି ସୂଦୁରେ ସବୁ ଜଡ଼ତା !

ଫୁଲ ପରି ମତେ ସିଏ ଫୁଟାଏ, ମନ୍ଦ ମଳୟ ପରି ଛୁଟାଏ

ସବୁଜିମା ଢଳ ଢଳ ଗିରି ବନ ପ୍ରାନ୍ତର-

ପରି ମତେ ଧରି ରଖେ,

 

ବେଦନା କାଳିମା ଦାଗ ରଖେନି ମୋ ଦେହେ ମନେ ସୂତାଏ !

ଚିରଦିନ ଅଜଣା ଅଶୁଣା ମୋର ସାଥି ଯେ

ଚିରଦିନ ମୋହପାଇଁ ରଖିଚି ତା’ ବୁକୁତଳ ପାତି ଯେ !

ମୋରେ ସେ ପାଇଚି ଭଲ, ଢାଳି ତାର ଅନ୍ତର

ପ୍ରତିଦାନ କିଛି ଆଶା କରିନି ।

ଯେତେ ଯାହା ଭୁଲ୍‌ ମୋର

କିଛି ସେ ତ ଅଭିମାନେ ଧରିନି !

 

ମୁଁ ତାକୁ ଦେଇନି କିଛି ଦାନ ଯେ,

ତଥାପି ସେ ଭରିଦିଏ ତାହାରି

ଗୋଟିଯାକ ପ୍ରାଣ ଯେ !

ନୀରବେ ମୁଁ କହେ ତା’ରେ ଲୁହଭରା ନୟନେ,

‘‘ମୋରେ ତୁମେ ନେଇ ଯାଅ

ତୁମ ସେହି ଚିର ଅନ୍ତରଭାରା ଅୟନେ ।

ଆବଦ୍ଧ ଜଳ ପରି ରହିବନି ଘଡ଼ିଏ

ତଟିନୀର ସୁଅପରି ବହିଯିବି ବହିଯିବି

ଚଉଦିଗ ଭରି ହେ !’’

 

ମରଣ ପ୍ରତିଜ୍ଞା

ଗୋଟିଏ ମନୁଷ୍ୟ ସେଇ ସାରା ପୃଥିବୀର,

ପୃଥିବୀର ମୁକ୍ତି ପାଇଁ କାନ୍ଦେ ଯା’ ଅନ୍ତର

ଦେଇଚି ସେ ହୃତ୍‌ପିଣ୍ଡର ପ୍ରତି ରକ୍ତବିନ୍ଦୁ

ନୋହି ଲବେ ନିମିଷକେ କୁଣ୍ଠିତ କାତର ।

 

ଫକୀର ସନ୍ନ୍ୟାସୀ ହୋଇ ସର୍ବସ୍ୱ ଦେଇଚି

ବିଶ୍ୱେ ମୁକ୍ତି, ମୈତ୍ରି ବାଣୀ ଆଜି ବିତରଇ

କି ବିଶାଳ ଅଗ୍ନିଶିଖା ଜଳେ ତା’ ଅନ୍ତରେ

ସତ୍ୟ ସଂଯମର କିବା ମୂର୍ତ୍ତି ପରିଗ୍ରହି ।

 

ପୃଥିବୀ ବୁଝିନି ତା’ ରେ ବୁଝିନି ଅଦ୍ୟାପି

ଖୋଲିନି ଖୋଲିନି ଆଜି ପୃଥିବୀର ଆଖି

ପୃଥିବୀ ପାରିନି ମାପି କି ବିରାଟ ସେହି

ମଣିଷ ହେବାରୁ ଅଛି ପୃଥିବୀର ବାକୀ !

 

କଠୋର ତପସ୍ୟା ପରେ ଦେଲା ଯେ ଜାତିରେ

ମାନବର ଚିରକାମ୍ୟ ହୃତ ସ୍ୱାଧୀନତା,

ହିମାଦ୍ରିରୁ କୁମାରିକା ଯାଏ ଯେ ଆଣିଲା

ପ୍ରତିପ୍ରାଣେ ନବଦୀପ୍ତି, ଚେତନାର କଥା,

 

ଥିଲା ଯାହା ଜଡ଼, ପଙ୍ଗୁ, ନିର୍ଜିବ ଓ ମୁକ

ଠିଆ କଲା ତ’ରେ ଦେଇ ପୁଣ୍ୟ ଜୀବନ୍ୟାସ

ଥିଲା ଯା ଦୁର୍ବଳ, ଭୀରୁ, ନିବିଡ଼ ଅନ୍ଧାରେ

ଖେଳାଇଲା ବୁକେ ତା’ର ମଲୋକ ଉଚ୍ଛ୍ୱାସ ।

 

ବିଶ୍ୱ ଆଗେ ଠିଆ କଲା ଏ ଜୀର୍ଣ୍ଣ ଜାତିରେ

ପୂର୍ଣ୍ଣ ଅମିତାଭ କରି ସତ୍ୟ ଅହିଂସାରେ

ସତ୍ୟର ତର୍ଜନୀ ତୋଳି ଦୃପ୍ତ ଗୁରବେ

ମୁକ୍ତ କଲା ଏ ଜାତିକୁ ବିଶ୍ୱ-ଦରବାରେ ।

 

ଦେଖୁଥାନ୍ତା, ହିନ୍ଦୁ - ଆଉ ପଠାଣ, କେସନେ

ଏ’ ମାଟିର ରସଧାରା ଅଙ୍ଗେ ଅଙ୍ଗେ ବହି,

ଭୁଲି ଭେଦ ଆତ୍ମପର ମଣିଷ ପରାଏ-

ପରସ୍ପରେ ଭଲ ପାଇ ପାରିଚନ୍ତି ରହି,

 

ଦେଖୁଥାନ୍ତା ଏ ମାଟିର ପ୍ରତି ମଣିଷରେ

କେମନ୍ତେ ହୋଇଚି ଉଭା ନର-ନାରାୟଣ.

ଦେଖୁଥାନ୍ତା, ପ୍ରତିଟିକୁ ଗଢିଛି କିପରି

ସୂର୍ଯ୍ୟ ପରି କରି କିବା ଶୁଭ୍ର ତେଜୀୟାନ୍‌

 

ଦେଖୁଥାନ୍ତା ଭାରତର ପ୍ରତି ଅନ୍ଦି କନ୍ଦି

ନ୍ୟାୟ ଓ ସତ୍ୟର ଖେଳେ ବିପୁଳ କଲ୍ଲୋଳ

କିବା ଜଳ କିବା ସ୍ଥଳ ଆକାଶ ବତାସ

ସବୁଠାଇଁ ଆନନ୍ଦର ପୁଣ୍ୟ କଳରୋଳ ।

 

ବିରାଟ ସାଧନା ତା’ର କଠୋର ତପସ୍ୟା

କେମନ୍ତେ ପାରିବ ସହି ଏହି ବର୍ବରତା ?

ମଣିଷ ମୁର୍ଦ୍ଦାର ପରେ ଯେବେ ରେ ମଣିଷ

ତୋଳିବାକୁ ଚାହେଁ ତା’ର ସୌଧ- ସ୍ୱାଧୀନତା ?

 

ନାରୀର ଇଜ୍‌ଜତ ଯହିଁ ଦୃପ୍ତ ଅତ୍ୟାଚାରେ

ଦିନୁ ଦିନ ବଳାତ୍କାରେ ଦିଆଯାଏ ମାରି,

ଜନନୀ ଭଗିନୀ ଜୟା ଆର୍ତ୍ତ ହାହାକାରେ

ପୃଥିବୀର ବକ୍ଷ ଯହିଁ ହୁଅଇ ବିଦାରି;

 

ମଣିଷ ଭିତରେ ଯେଉଁ ମଣିଷ ଟିକକ

ସେ ଯେବେ ବୁଝିଲା ନାଇଁ ମଣିଷର ବାଣୀ

ବଞ୍ଚିବାର ଏ ମାଟିରେ କିବା ଗଉରବ

କିବା ଲାଭ ଏ ମାଟିର ସ୍ୱାଧିନତା ଆଣି ?

 

ସେଥିଲାଗି ପୃଥିବୀର ଅମର ସନ୍ୟାସୀ

କଠୋର ପ୍ରତିଜ୍ଞା ଆଜି କରିଛି ଜୀବନେ,

ମରଣର ଯବନିକା ଆଢ଼ୁଆଳେ କାହିଁ

ଲୁଚିଯିବ ଚିରଦିନ ଏଇ ଅନଶନେ ।

 

ନୟନ ଦେଖିବ ନାହିଁ ଏଇ ବର୍ବରତା

ଶ୍ରବଣ ଶୁଣିବ ନାଇଁ ଏ ମାଟି ଚିତ୍କାର

ଅନ୍ତର ବୁଝିବ ନାଇଁ ମଣିଷର ମାଟି

ମଣିଷ ହାତରେ କେହ୍ନେ ହୁଏ ନାରଖାର ।

 

ହତଭାଗ୍ୟ ଦେଶ ମୋର ! କେମନ୍ତେ ଚେତନା

ଆସିବ ମରମେ ତୋ’ର କେତେ ଦିନ ପରେ ?

ପୃଥିବୀର ମେରୁଦଣ୍ଡ ଗୋଟିଏ ମଣିଷ

ପୃଥିବୀକୁ ରଖିଚି ସେ ଧରି ନିଜ ବଳେ ।

 

ମରିନି ସେ ମରିବାର ଉପାଦାନେ ନୁହେଁ ତା’ ସର୍ଜନ

ସବୁରି ଭିତରେ ସେ ଯେ ଅଗ୍ନିସମ ଜୀବନ୍ତ ଚେତନ;

ଆଶାର ମୋହନ ରେଖା ନୈରାଶ୍ୟର ଭିତରେ ଯେ ସିଏ,

ଝଡ଼ ଝଞ୍ଜା ଭିତରେ ସେ ହିମାଚଳ ପରି ଦିଶେଟି ହେ !

ଅଗ୍ନି- ପାରାବାର-

ପରାଏ ଉଠଇ ଗର୍ଜି, ଦେଖିଲେ ସେ କାହିଁ ଅତ୍ୟାଚାର ।

 

ଯେ ପଥ ଗଢ଼ିଛି ସେହୁ ସେଇ ପଥେ ଚାଲ ଚାଲ ଚାଲ !

ସେ ପଥ କର ନା ରୁଦ୍ଧ ଭରି ସ୍ୱାର୍ଥ ଗର୍ବ ଅହଂକାର

ଯେ ପଥେ ଚାଲିଲେ ଫୁଟେ ଏ ଅନ୍ତରେ ସତ୍ୟର ଉଲ୍ଲାସ

ପରପାଇଁ ମରିବାକୁ ବକ୍ଷେ ଆସେ ଅକୁଣ୍ଠ ପ୍ରୟାସ;

ବରିନିଅ ସେଇ ପଥ ତା’ର

ତହିଁରେ ପାରିବ ତମେ କରି ତା’ର ପୂଜା ଉପଚାର ।

 

ଅମୃତ ଧାରା

ମୁଁ ଯେବେ ବୁଲିଯାଏ, ଏ ରାଜପଥ ପରେ

ଏ ବଣ ଏ ପାହାଡ଼ ଚିଲିକା ତଡ଼େ ତଡ଼େ

ମୋହର ମନେ ହୁଏ,

କିଏ ସେ ମତେ ଛୁଏଁ,

ଅସୀମ ସେନେହର ପରଶ ବୋଳି ଦେଇ,

ସାହସ ହୁଏ ନାଇଁ କହିବାପାଇଁ ଲବେ

ମୋହର ନାଇଁ କେହି, ମୋହର ନାଇଁ କେହି !

 

ଯୁକ୍ତ ହୋଇଯାଏ କି ମହା- ଜୀବନରେ !

ମତେ କି ଭଲ ଲାଗେ ଏ ମହା ଭୁବନରେ

ବିଚାରେ ମୋ ଭିତରୁ କାଢ଼ି ମୁଁ ଅମୃତ

ଏ ପଥେ ପଥେ ଖାଲି ଯିବି ମୁଁ ଦେଇ ଦେଇ

ଉଛୁଳି ଉଠିବି ମୁଁ, ସବୁରି ଜୀବନକୁ

ବକ୍ଷେ ଭିଡ଼ି ନେଇ ! ବକ୍ଷେ ଭିଡ଼ି ନେଇ !

 

ଜନ୍ମ ଲଭି ଏଇ ଭୁବନ- ପଥ ପରେ

କି ମଧୁ ସମ୍ପଦ ମୁଁ ଅନୁଭବ କରେ !

ଏ ସବୁ ସମ୍ପଦ ଛାଡ଼ି ମୁଁ ଆର ପାରେ-

ଯିବାକୁ ଇଚ୍ଛା ତ ହୁଏନି ମୋର ବାରେ

ଅସୀମ ସୃଷ୍ଟି ଏ ମୋହର ଆପଣାର

କହି ମୁଁ ଉଠେ ମୋର ଅଶ୍ରୁ ଧାରେ ଧାରେ !

 

ଜୀବନେ ଯେତେ ଯହିଁ ଯେଉଁଠି ଥାଅ ରହି,

ଆସ ! ମୋ ବୁକୁତଳେ ଆଜି ମୁଁ ନେବି ବହି,

ଅନ୍ନହୀନ କେଉଁ କୁଟୀରେ ଥାଅ ତମେ

ବରଣ କରିନେବି ଅସୀମ ବନ୍ଧନେ;

ବିରାଟ ବିଶ୍ୱର ସକଳ ଧୂଳି କଣା

ମୋହର ପ୍ରିୟତମ ମୋ କାନେ ଯାଅ ଖାଲି

            ପ୍ରାଣର କଥା କହି !

ଆସ ମୋ ବୁକୁତଳେ ଆଜି ମୁଁ ନେବି ବହି !

 

ନିଜକୁ ନିଜେ ମୁହିଁ ପ୍ରଶ୍ନ ପଚାରଇଁ

ମୁଁ କିଏ ? କିଏ ମୁହିଁ ?

ଆସଇ ଆପେ ଆପେ ଗୋଟିଏ ଉତ୍ତର

ଗୋଟିଏ ଅମୃତର ଧାରା ମୁଁ ବିଶ୍ୱରେ

ସବୁରି ଚିତ୍ତର ! ସବୁରି ଚିତ୍ତର !!

 

ଦାରୁଣ ଅପମାନେ ମଉଳି ଯିବନାଇଁ,

ଅସୀମ ଅନାଚାରେ ପଡ଼ିବି ନାଇଁ ଲଇଁ,

ମୁଁ ନିତି ଜାଗ୍ରତ, ମୁଁ ନିତି ଉତ୍‌ଥିତ

ତୁମରିପାଇଁ ଖାଲି ବିଶାଳ ସୃଷ୍ଟିରେ;

ଯେତେ ଯା’ ଦେଖୁଅଛି

ମୋହର ତୁମେ ସବୁ

ତୁମଠି ହୋଇଯିବି ମୁଁ ଖାଲି ଦୃଷ୍ଟିରେ !

 

ମରଣ ମୋର ନାଇଁ, ଜୀବନ ଜୀବନ ମୁଁ

ତୁମଠି ଯେବେ ମୁହିଁ ଉଠିବି ପ୍ରତିଫଳି,

ପୁଲକି ଯିବ ମୋର ସକଳ ଦେହ ମନ

ସେ ଲାଗି ଆସିଚି ମୁଁ ଜୀବନ ରୂପ ଧରି !

 

ଡାକ ବା ନାଇଁ ଡାକ ଯିବି ମୁଁ ତୁମ ପାଶ

ଦେବି ମୁଁ ଦେବି ଖାଲି ହୃଦୟଭରା ହାସ;

ତୁମରି ଲୁହ ଧାରେ ଢାଳି ମୋ ଲୁହଧାର

କରିବି ମଧୁମୟ ମୋହର ସଂସାର ।

ମୋହର ହୋଇ ଯେବେ କିଛି ହେ କିଛି ଧାଏ

ତୁମେ ହେ ରହିଅଛ ଏ ଚଉଦିଗେ ଭରି,

ତୁମରି ପାଇଁ ମୁହିଁ ଆସିଚି

      ଏଇ ମୋର ଜୀବନରୂପ ଧରି !!

 

ପ୍ରତୀକ୍ଷା

ସବୁ ତାହା ଲାଗି ଦେଇଛି ପଛକୁ ପକାଇ,

ରହିଚି ମୁଁ ତା’ରେ ଦିନ ରାତି ଖାଲି ତକାଇ;

ଭୁଲିଚି କେତେ ମୁଁ ଦୁଃଖ ଦଇନି

ସବୁ କଥା କହି ପାରୁନି ପାରୁନି

      ଚାଲିଗଲା ସିଏ ସେ ଦିନ କି ମଧୁ ଚଖାଇ

      ସବୁ ତାହା ଲାଗି ଦେଇଛି ପଛକୁ ପକାଇ ।

 

ଏ ଜୀବନ ପଥେ କେତେ ଯେ ବଜ୍ର ପଡ଼ୁନି

ହୀନିମାନ ହୋଇ କେତେ ରୂପେ ମୁହିଁ ସଢ଼ୁନି !

ମନ କଥା ମାରି ରହୁଚି ମନରେ

ନାଚୁଚି ସେ ଖାଲି ସକଳ କ୍ଷଣରେ

      ତା’ରି ଲାଗି କେତେ ଅଟ୍ଟାଳି ମୁହିଁ ଗଢ଼ୁନି ?

      ଏ ଜୀବନ ପଥେ କେତେ ବଜ୍ର ପଡ଼ୁନି ?

 

 

କେବେ ସେ ଆସିବ ବୁଝିବ ପ୍ରାଣର ଦଇନି

କେବେ ସେ ଆସିବ, ମୁହଁ ଖୋଲି ମୋରେ କହିନି !

ମୋର ଅନ୍ତର ପ୍ରତି ରେଣୁ ତଳେ

ପୁଷ୍ପ ଫୁଟାଇ ଯିବ କୁତୂହଳେ

      ନୀରବେ ଗୋପନ ସେ ଲାଗି କେତେ ମୁଁ ଚାହିଁନି ।

      କେବେ ସେ ଆସିବ ? ବୁଝିବ ପ୍ରାଣର ଦୟିନି !

 

କିଏ କେତେ ରୂପେ ଧରା ତଳେ ଦିନ କାଟଇ

କାହା ଓଠେ କେତେ ଅମୃତ ହାସ ଫୁଟଇ !

ଦୂରେ ଦୂରେ ଢାଳି ନୟନ ଯୁଗଳ

ମୁଁ ଖାଲି ରହିଚି ଚାହିଁ ଅବିରଳ,

      ବେଳେ ବେଳେ ବ୍ୟଥା ଘନୀଭୂତ ହେଲେ,

      ବୁକୁତଳ ମୋ ଫାଟଇ,

      କିଏ କେତେରୂପେ ଧରାତଳେ ଦିନ କାଟଇ !

 

ସବୁ ଯାତନାର ଭିତରେ ଆସୁଚି ତା’ ମୋହନ ଛଇ ଢଳି କି ?

ମୁଁ ଯେବେ କରିଚି ଏଡ଼େ ଆପଣାର ଯିବ ସିଏ ପର କରିକି ?

ମୋ ଲୁହର ପ୍ରତି ବିନ୍ଦୁ ଭିତରେ

ମୁଁ ତା’ରେ ଲୋଡ଼ଇ କି ଆକୁଳଭରେ !

ମୋ ଲୁହ ତାହାରେ ନିକଟୁ ନିକଟ-

କରି ନିତି ଧାଇଁ ଧରି କି ?

ସବୁ ଯାତନାର ଭିତରେ ଆସୁଚି

ତା’ ମୋହନ ଛଇ ଢଳିକି ?

 

ଫୁଟିବାକୁ ଯିଏ ଚାହିଁ ରହିଅଛି ନିଶ୍ଚୟ ସେ ଗୋ ଫୁଟିବ,

ଗନ୍ଧ ତାହାର ଉନ୍ମନ ହୋଇ ଦିଗ୍‌ବିଦିଗେ ଯେ ଛୁଟିବ;

ସୀମାହୀନ ଶତ ବ୍ୟର୍ଥତା ପରେ,

ସାର୍ଥକତାର ତୁଙ୍ଗ ଶିଖରେ,

ଲୁଚି ଯାଇଚି ଯା’, ପୁଣି ପଲ୍ଲବି ଉଠିବ,

ଫୁଟିବାକୁ ଯିଏ ଚାହିଁ ରହିଅଛି

ନିଶ୍ଚୟ ସେ ଗୋ ଫୁଟିବ !

 

 

 

 

ମୋର ମନର ମଣିଷ କାହିଁ

ମୋର      ମନର ମଣିଷ କାହିଁ ?

ମୋର      ବ୍ୟଥା ବୁଝିବାର ପାଇଁ;

ମୁଁ ତ      ଝୁରି ଝୁରି ଖାଲି ମରେ

ତାକୁ      ଖୋଜି ଖୋଜି ଅବିରଳେ

ତାରେ      ପାଏନା ପାଏନା କାହିଁ,

ସେ କି      ସାରା ଧରଣୀରେ ନାଇଁ !

 

ସେ କି      ବୁଝିବନି ମୋର ବ୍ୟଥା ?

ସେ କି      କହିବନି ମୋରେ କଥା ?

ସେ କି      ସେନେହ ଆଦର କରି

ବୁକେ      ରଖିବନି ତୋଳି ଧରି ?

ସେ କି      ଯାଇଅଛି ଦୂରେ କାହିଁ ?

ଆଉ      ନିମିଷେ ଫେରିବ ନାଇଁ ?

 

ତା’ର      ଅନ୍ତର ବୀଣା ତା’ର

ଆଉ      ବାଜିବନି ବାର ବାର ?

ସେ କି      ଯାଇଚି ଯାଇଚି ମରି

କରି      ଶତ, ଜାଲ ଜୁଆଚୋରି ?

ମୋର      ମନର ମଣିଷ କାହିଁ ?

ମୁଁ ତ      ଝୁରି ମରେ ତାହାପାଇଁ;

 

ମୋର      ବୁକୁରେ ବେଦନା ଜାଗେ

ମୁଁ ତ      ତାରି ଓଠହାସ ମାଗେ

ମୁଁ ଗୋ      ତାହାରି ବୁକୁରେ ଢଳି

ବାହି      ନେବି ମୋ ଜୀବନତରୀ ।

ମୁଁ ଗୋ      ତାହାରେ ହିଁ ପାଏ ଭଲ

ଢାଳି      ସକଳ ସେନେହ ମୋର !

 

ଉଠେ      କାନ୍ଦି ମୋ ବୁକୁତଳ

ବହେ      ଲୁହ ଝର ଝର ଝର !

ଚାହେଁ      ଚାରିଆଡ଼ ବାର ବାର

ଫୁଟେ      ବୁକୁତଳୁ ହାହାକାର !

ଯାରେ      ନିଜର ମୁଁ ଏତେ କଲି

ସେ ଗୋ      ଯାଇଛି ସୂଦୂରେ ଚଳି !

 

ଖାଲି      ଖାଲି ଲାଗେ ମତେ ଧରା

ସେ କି      ହେଲା ହଳାହଳଭରା ?

ତାର      ଗମ୍ଭୀର ମୁଖ ତଳେ

ଶତ      କୂଟ ମାୟାଜାଲ ଢଳେ !

ତା’ର      ସୁନ୍ଦର ଦାବହିୟା

ହେଲା      ସର୍ବଗ୍ରାସୀ ନିଆଁ ।

 

ମୁଁ ଗୋ      ଚାହିଁଲେ ପାରୁନି ଚାହିଁ

ମୋର      ମନର ମଣିଷ ନାଇଁ !

ମୁଁ ଗୋ      ଖୋଜେ ତାକୁ ଅବିରଳେ

ଏଇ      ବିରାଟ ଆକାଶ ତଳେ;

ମୁଁ ଗୋ      କାହାକୁ କହିବି କହ,

ମୋର      ବେଦନା ଯେ ଦୁର୍ବହ !

 

ମୋର      ମଣିଷ ଯେ ଚିରସାଥୀ

ତାଠୁ      ଛିନ୍ନ ମୁଁ ହେଲି ଆଜି !

ମତେ      ଫିଙ୍ଗି ନିଠୁର କରେ

ସେ ଗୋ      ଆପଣାର ବାଟ ଚଳେ

ତାରେ      ଯେତେ ଆପଣାର କରି

ମୁଁହିଁ      ଡାକିଲି ସେନେହ ଭରି-

 

ସେ ତ      ଆଡ଼ ନୟନରେ ବାରେ

ମୋରେ      ଚାହିଁଲାନି ସଂସାରରେ !

ସେ ତ      ଗଲା ଗଲା ଦୂରେ ଗଲା

ମୋରେ      କରିଦେଇ ଦରମଲା;

ସେ’ତ      ବୁଝିଲାନି ସତେ ମତେ

ତାରେ      ଚାହେଁ ମୁଁ କି ଭଳି ସତେ !

 

ତା’ର      ଅନ୍ତର ପ୍ରତିରେଣୁ-

ତଳେ      ବାଜେ ମୋ ସେନେହ ବେଣୁ;

ମତେ      କରିଗଲା ପଦାଘାତ

ଦେଖି-      ଲାନି ମୋ ଲୋତକପାତ !

ମୁଁ ଗୋ      ହୋଇ ନିର୍ଲଜତର

ତାରେ      ପଚାରେ ବହୁତ ଥର-

 

‘‘ମୁଁ ତ      କରିନି ତୋହର କ୍ଷତି ।

କିଆଁ      ମୋଠାରେ ନିଠୁର ମତି ?

ଦେଖ      ଚିରି ମୋର ବୁକୁତଳ

ମୁଁ ଯେ      ଚିରଦିନ ମଣିଷର !’’

ଯେବେ      ମୋ ଓଠୁ ଏ କଥା ଫୁଟେ

ସେ ଗୋ      ହସି ଉଠେ ହସି ଉଠେ !!

 

କହେ      ବାଣୀ ବିଦ୍ରୂପ ବୋଳା

ଢାଳି      ଘୃଣାରେ ନୟନ ଡ଼ୋଳା !

ମତେ       ସାତ ପର କରି ସିଏ

ଦୂରେ      ଦୂରେ ଯେ ଆଡ଼େଇ ଦିଏ;

ମୁଁ ତ      ତାହାର ନୁହଁଇ କିଛି

ମୋରେ      କଥା କହେ କରି ଛି ଛି ?

 

ମୁଁ ଗୋ      ତୁନି ହୋଇ ଯାଏ ଚଳି

ମୋର      ଯାଏ ଲୁହଧାର ଗଡ଼ି !

ମୁଁ ଗୋ      ଖୋଜୁଥିବି କାଳ କାଳ

ଢାଳି      ନୟନୁ ଲୋତକ ଧାର,

ମୋର      ମନର ମଣିଷ କାହିଁ ?

ସେ କି      ଲେଉଟି ଆସିବ ନାଇଁ ?

 

ଚାହିଁ ରହ

ତୁମେ ଆସୁଥିବ ପ୍ରତି, ନିତି ଏଇ ଥାନେ,

ତୁମରେ ମୁଁ ଆଉ ଦେଖି ତ ପାରିବି ନାଇଁ ।

ତୁମେ ଚାଲିଥିବ ହସି ଖେଳି ସବୁଦିନେ

ରହିଥିବି ମୁଁ ଗୋ ସୁଦୂର ରାଇଜେ କାହିଁ ।

 

ଏ ମୋ ଜୀବନର ଗଭୀର ମରମ ତଳେ

କଇଁଫୁଲ ପରି ତୁମେ ରହିଥିବ ଫୁଟି,

ସେ ଶିରୀ ଟିକକ ଅନୁଭବି ବୁକୁତଳେ

କେତେ ଦୂରେ କାହିଁ ଦିନ ନଉଥିବି କାଟି।

 

ଜୀବନେ ବୋହିବ କେତେ ଯେ ଝଞ୍ଜା ଝଡ଼,

କେବେ ବା ବୋହିବ ମଧୁ ମଉସୁମୀ ବାଆ,

ସକଳ ଭିତରେ ତୁମେ ନିଭିଯିବ ନାଇଁ

ରହିଥିବ ହୋଇ ଅମୃତମୟ ରାହା !

 

ସୀମାହୀନ କେତେ ଅମୃତମୟ ସ୍ମୃତି

(ମତେ) ଧରି ରଖିଅଛି ବିରାଟୁ ବିରାଟ କରି

ପଡ଼ିଗଲେ କେଉଁ ଅତଳ ବିତଳେ ମୁହିଁ

ଆଣିଚ ଉଠାଇ ସୋହାଗେ ମୋ ହାତ ଧରି !

 

ତୁମେ ଆସୁଥିବ, ପ୍ରତି ନିତି ଏଇ ଥାନେ

ତୁମରେ ଆଉ ମୁଁ ଦେଖି ତ ପାରିବି ନାଇଁ

ତୁମେ ଚାଲିଥିବ ହସିଖେଳି ସବୁଦିନେ;

ଭଲ କରି ମୋରେ ରହ ଆଜି ଟିକେ ଚାହିଁ।

 

ଯା ଦେବାର ମୋରେ ସବୁ ଆଜି ଦେଇ ଦିଅ

ଅବଶେଷ କିଛି ନ ରଖି ତୁମରି ପାଶେ,

ଚାଲି ଯିବାବେଳେ ଏତିକି ମୋହର ଅଳି

ମୋରେ ଚାହିଁରହ ଓଠର ମୋହନ ହାସେ !

 

ଜୀବନ ସାରା ରହିଚି ଚାହିଁ

ଦେଖିଚି ତା’ରେ ବୁଝିଚି ତା’ରେ ଡାକିଚି କେତେ ଆକୁଳ ମନେ

କେତେ ଯେ ଦିବା ଯାମିନୀ ମୋର ବିତିଚି ତା’ର ଅନ୍ୱେଷଣେ ।

ଅଶ୍ରୁ କେତେ ଝରିଚି ମୋର ତାହାରି ପାଇଁ ନ ପାରେ କଳି

ଡାକିଛି ତାରେ ପାଗଳପରି ବକ୍ଷଭରା ସେନେହ ଭରି ।

ନିଶୀଥ ନଭେ ଚାହିଁଚି କେତେ ଚାହିଁଚି ଶ୍ୟାମ କେଦାରମାଳେ

ଜ୍ୟୋତ୍ସ୍ନାରାତେ ବୁଲିଚି କେତେ ନୟନଭରା ଅଶ୍ରୁଧାରେ ।

ମୋ ବୁକୁତଳେ ଜାଗିଚି ସେହୁ ମଳୟସମ ମୁଗ୍‌ଧ କରି

ଯୁଆଡ଼େ ଯାଏ, ଯୁଆଡ଼େ ଚାହେଁ, ଆକୁଳେ ଡାକେ ମୁଁ କେତେ ଭଳି ।

ଜାଣେନା ମୁହିଁ ମୋ ବାଣୀ ସାହୁ ନୀରବ ଧ୍ୟାନେ ଶୁଣେ କି ନାଇଁ ?

ଜାଣେନା ସେହୁ ଆକୁଳ କେବେ ହୁଏ କି ନାଇଁ ମୋହରି ପାଇଁ;

ଜାଣେନା ମୁହିଁ ବୁଝେ କି ନାଇଁ ମୋହର ଏ ଯେ ବକ୍ଷ- ବ୍ୟଥା

ଜାଣେନା ମୁହିଁ; ମୋରେ ସେ କେବେ ଦେଖାଏ ଅବା ନିର୍ମମତା ।

 

ତା’ ଓଠୁ କିବା ମାଧୁରୀ ଫୁଟେ, ନୟନୁ ଛୁଟେ ମୁଗ୍‌ଧ ଜ୍ୟୋତି

ସୃଷ୍ଟି ପରେ ସକଳ ଶୋହା ଉତ୍ସ ତା’ର ଜୀବନ ଗୋଟି ।

ହସିଲେ ସେହି ହସଇ ଅବା ଆକାଶ ଗ୍ରହ ଚନ୍ଦ୍ର ତାରା

ତା’ ବୁକୁତଳେ ବୁଝଇ ଅବା ନିଃଶ୍ୱ ପ୍ରାଣ ବକ୍ଷଭରା ।

ଦେଖିଚି ତାରେ, ବୁଝିଚି ତାରେ ଡାକିଚି କେତେ ଆକୁଳ- ମନେ

କେତେ ଯେ ଦିବା ଯାମିନୀ ମୋର ବିତିଛି ତା’ର ଅନ୍ୱେଷଣେ ।

 

ଜୀବନ ସାରା ରହିଚି ଚାହିଁ ତାହାରି ମଧୁ ସ୍ପର୍ଶପାଇଁ

କେତେ ଯେ ବର୍ଷ କେତେ ଯେ ମାସ ନୀରବେ ମୋର ବିତଇ ନାଇଁ ?

ଲକ୍ଷ ବାଧା ଆସିବ ମୋର ଜୀବନ ହେବ ଦୁଃଖମୟ

ଦୁନିଆଟାରେ ପାଇବି ମୁହିଁ କ୍ଳିନ୍ନ କେତେ ଯେ ପରାଜୟ ।

ନିଠୁର କରି ଧରଣୀ ମତେ ଚରଣତଳେ ଆଡ଼େଇ ଦବ

ତହଁରେ ମୋର ନାଇଁରେ ନାଇଁ ଟିକିଏ ହେଲେ ଅଗୌରବ ।

 

ଯେ’ ଦିନ ସେହୁ ଅଧର ଫେଇ କହିବ ମତେ ମଧୁର ବାଣୀ

ଯେ ଦିନ ସେହୁ ବକ୍ଷ ଚିରି ମୋ ପାଇଁ ଦେବ ସେନେହ ଆଣି ।

ଯେ ଦିନ ସେହୁ ଚାହିଁବ ମତେ ଅମୃତର ଚାହାଣୀ ଢାଳି

ଯେ’ଦିନ ସେହୁ ବୁଝିବ ମୋର ବକ୍ଷବ୍ୟଥା ନିଜର ଭାଳି ।

ସେ ଦିନ ମୋର ବକ୍ଷତଳେ ବହିବ କିବା ଫଲ୍‌ଗୁଧାରା

ସେ ଦିନପାଇଁ ରହିଚି ଚାହିଁ ନୀରବେ ମୋର ଚକ୍ଷୁ ତାରା ।

 

ଅମୃତର ଜୀବନେ ତା’ର ପଡ଼ିବି ମୁହିଁ ସରାଗେ ଢଳି

ଅନନ୍ତର ବିପୁଳ ଶୋହା ବକ୍ଷେ ମୋର ଉଠିବ ଭରି ।

ତାହାରି ଆଶେ ଚାଲିଚି ମୁହିଁ ସୁଦୂର ପଥେ ଲକ୍ଷ୍ୟ ରଖି

ସେ ଚିର ଯଉବନ ଯେ ମୋର କାମ୍ୟ-ମୋର ଜୀବନ ସଖୀ ।

ଜୀବନସାରା ରହିଚି ଚାହିଁ, ତାହାରି ମଧୁ ସ୍ପର୍ଶ ପାଇଁ

କେତେ ଯେ ବର୍ଷ କେତେ ଯେ ମାସ ତାହାରି ଲାଗି ବିତଇ ନାହିଁ ।

 

ବିରାଟ ଧିଆନେ

ମଉଳି ପଡ଼ିଚି ଝାଉଁଳି ପଡ଼ିଚି ମୁହିଁ

ସିଞ୍ଚି ଦିଅ ହେ ମରମୁ ନିଗାଡ଼ି ତବ,

ଟିକିଏ ମମତା, ଟିକିଏ ସେନେହ ଖାଲି

ସେ ମୋ ଜୀବନର ଶ୍ରେଷ୍ଠ ଯେ ଗଉରବ ।

 

ତୁମେ ନ ଚାହିଁଲେ ତୁମେ ନାଇଁ ପଚାରିଲେ

ତୁମେ ନ ଆସିଲେ ନିଃସ୍ୱ ଏ ଜନ ପାଶେ,

କେଉଁଆଡ଼େ ଯିବି ? ତୁମରେ ଭରସା କରି

ଏ ପଥପ୍ରାନ୍ତେ ଚିରଦିନ ଥିବି ପଡ଼ି ।

 

ମହା- ଅନ୍ଧାରେ ଟିକିଏ ଆଲୋକ ଦିଅ !

ପ୍ରାଣମୟ ମତେ କରିବାକୁ ଧରଣୀରେ;

ତୁମେ ତ ପାରିବ ପାରି,

ତୁମରି ଟିକକ କାନ୍ତ ପରଶ ଘେନି,

ସିନ୍ଧୁବେଳାରେ ହସି ମୁଁ ପାରିବି ଚାଲି ।

 

ସବୁ କଣ୍ଟକ ଗୋଟି ଗୋଟି କରି ତମେ

ଆହତ ଜନର ଏ ଦେହ ମନରୁ

ପାରିବ ବାହାର କରି,

ଉଶ୍ୱାସ ମୋରେ ଲାଗିବ ଟିକିଏ ପରା !

ଚାଲିବି ପୁଣି ଯେ ଊର୍ମି ଉପରେ ନାଚି

ଏ ମୋର ଭଙ୍ଗା ତରୀ !

 

ଫେରିଯିବି ?

ନା, ତୁମ ପାଶୁ ମୁହିଁ ଫେରି ତ ପାରିବି ନାହିଁ !

ଫେରିଲେ ଫେରିବି, ମୁଁ ତୁମରି ପାଶେ

ଏତେ ଆଶା ଏତେ ଅଧିକାର ମୋର

ରହିଚି ତୁମରି ପରେ       

ବଞ୍ଚିତ କେବେ ହୋଇ ମୁଁ ପାରିବି ନାଇଁ !

ଯେତେ ବଞ୍ଚିତ କଲେ ।

 

ମୁକ୍ତ କର ଗୋ ଉତ୍ସ ମୋ ଲାଗି ତମେ

ଯେଉଁ ଉତ୍ସର ସୀମାହୀନ ରସ ପାଇ,

ଆକାଶ ଅବନୀ ବିଚିତ୍ର ରୂପ ଧରେ

ସେଇ ଉତ୍ସର ମୁଁ କି ନୁହେଁ ଅଧିକାରୀ ?

ଭିନ୍ନ ମୁହିଁ କି ? ସୃଷ୍ଟିରୁ ଏକ ବାରେ ?

 

କୋଟିଏ ଭିତରେ ଏ ଗୋଟିକୁ ତୁମେ

ଫୁଟାଇ ଫୁଟାଇ ନିଅ !

ଏ ଭିତରୁ ଯେଉଁ ସଉରଭଟିକ-

ନୀରବେ ଉଠିବ ଫୁଟି,

ଚାରିଆଡ଼େ ଭରି ଦିଅ !

 

ଏଇ ଆନନ୍ଦ, ଏଇ ଅମୃତ-

ଟିକକ ପାଇଁ ମୋ ଅଳି,

ଚାହିଁ ମୁ ରହିଚି ବିରାଟ ଧିଆନେ,

ଫେରି ମୁଁ ପାରିବି ନାଇଁ,

ଯେତେ ଦେଲେ ପାଦେ ଦଳି ।

 

କବି

ଗାଉ ଥାଅ ଗୀତ କବି ! ଗାଉଥାଅ ତମେ

ସରଳ ସୋହାଗେ ଶୋହି, ଏ ଧରଣୀ ପରେ,

ଯିଏ ଯାହା କହିବାର କହୁଥାନ୍ତୁ ପଛେ

କି ଲାଭ ସେ ସବୁ ଶୁଣି ଶ୍ରବଣ ଯୁଗଳେ !

 

ତୁମ ହସେ ହସି ଉଠୁ ନିଖିଳ ଧରଣୀ,

ତୁମ ଦୁଃଖେ ଲୁହସିକ୍ତ ହେଉ କୋଟି ଆଖି,

ଗାଉଥାଅ ଗୀତ କବି ଗାଉଥାଅ ତମେ

ନୟନେ ନିୟତେ କିବା ସ୍ୱପ୍ନାଞ୍ଜନ ମାଖି ।

 

ଜୀବନର ଯାତ୍ରାପଥେ ବୁଣିଯାଅ କବି !

ଅଗଣିତ କୁସୁମର ମଧୁଗନ୍ଧ ତମେ

ହସି ଉଠୁ ନାଚି ଉଠୁ ମହାବସୁନ୍ଧରା,

ସେଇ ତବ ଉପହାର ନିଖିଳ ଭୁବନେ ।

 

ତୁମରେ ନ ଲୋଡ଼ୁ କେହି ତୁମେ କିନ୍ତୁ କବି !

ସକଳରେ ଲୋଡ଼ୁଥାଅ ଆପଣାର କରି,

ତୁମରେ ନ ଦଉ କେହି ମଧୁ ଗଉରବ

ତୁମେ କିନ୍ତୁ ଦେଇଯାଅ ଦିନ ଦିନ ଧରି !

 

ଗାଉଥାଅ ଗୀତ କବି ! ଗାଉଥାଅ ତମେ,

ଜୀବନର ଶେଷ ଯାମେ ଗୀତ ଗାଇ ଗାଇ

ଶୋଇପଡ଼ ଧରଣୀରେ ଅନନ୍ତ ଶୟନେ,

ଶେଷଥରପାଇଁ ଟିକେ ଚତୁର୍ଦ୍ଦିଗେ ଚାହିଁ !

 

ଆକାଶ ପ୍ରାନ୍ତର ବନ ସରିତ ସାଗର-

ଅଗଣନ ଜୀବନର ବିମୋହନ ଛବି,

ତୁମରି ଭିତରେ, ତୁମେ ସେମାନଙ୍କ ମେଳେ

ଦିନୁଦିନ ଯାଉଥିବ, ସୋହାଗେ ପଲ୍ଲବି ।

 

କାହିଁ ?

ତୁମେ ନିଜକୁ ଖୁବ୍ ଆରାମରେ ରଖିଚ

ଏ ଆରାମ କେତେଦିନ ପାଇ ?

ଯେଉଁ ଆରାମ ପାଇଲେ,

ତୁମ ଚାରି ପାଖର ପୃଥିବୀ

ଆରାମ ପାଇବ

ସେ ଆରାମ ତମର କାହିଁ ?

 

ଯେଉଁ ହସ ଟିକକ ହସିଲେ

ତୁମ ଚାରିପାଖର ଶତସହସ୍ର ଓଠ

ହସି ଉଠିବ,

ତୁମର ସେ ହସଟିକକ କାହିଁ ?

 

ଯେଉଁ ଲୁହ ଟିକକ

ତୁମ ଆଖିରୁ ବୋହିଲେ

ଶତ ସହସ୍ର ଆଖି

ସୀମାହୀନ ଲୁହରେ ଆର୍ଦ୍ର ହୋଇଯିବ

ସେ ଲୁହ ଟିକକ ତୁମର କାହିଁ ?

 

ଯେଉଁ ବକ୍ଷ ଫୁଲି ଉଠିଲେ

ଗୌରବର ଗାରିମାରେ

ପୃଥିବୀର ଅନନ୍ତ ବକ୍ଷ ଫୁଲି ଉଠିବ,

ନାଚି ଉଠିବ,

ମୋହନ ଉନ୍ମାଦନାରେ,

ସେ ଗୌରବ ତମର କାହିଁ ?

 

ଗରିବ କବିର ଜନ୍ମଦିନ

ଗରିବ କବିର ଜନ୍ମଦିନ ! ଆସିଚ ତମେ ହେ ଆସିଚ ତମେ

ବକ୍ଷବେଦନା ବୁଝିବ କି ହେ ? ଆପଣାର କରି ଲୋଡ଼ିବ କ୍ଷଣେ ?

କେତେ ଯେ ଝଞ୍ଜା ଜୀବନ ପରେ ଗୋଟି ଗୋଟି ହୋଇ ଯାଇଛି ବହି

ସ୍ମୃତି ତା’ର ଆଜି ପଡ଼ୁଚି ମନେ ଥୟ ହୋଇ ମୁଁ ଯେ ପାରୁନି ରହି ।

 

ଜୀବନର କେତେ ଲକ୍ଷ୍ୟ ମୋର ବୁଦ୍‌ବୁଦ୍‌ ପରି ମିଳେଇ ଗଲା

କେତେ ଯେ ଆଶାର କନକ ତରୀ ଚୂରୁମାର ହେଲା ନ ପାଇ ବେଳା;

କେତେ ଉଚ୍ଛ୍ୱାସ ଯାଇଛି ମରି ପାଇନି ପାଇନି ପ୍ରକାଶ ପଥ

କେତେ ସୌରଭ ପାରିନି ଫୁଟି କେଉଁ ଅନ୍ଧାରେ ହୋଇଛି ହତ ।

 

କେତେ ଆଲୋକର ରଶ୍ମିରେଖା କେଉଁ ଗହ୍ୱର ଅନ୍ଧକାରେ

ସୁପ୍ତି ଭଜିଛି ଛୁଟିବ ନାଇଁ ଏ ଧରଣୀ ପରେ ନିମିଷେ ବାରେ !

କେତେ ଅବଶୋଷ ବକ୍ଷତଟେ ଚିରଦିନ ପାଇଁ କାଟିଚି ଦାଗ

ଅପୂର୍ଣ୍ଣ ହୋଇ ରହିଲା ପରା ଜୀବନର କେତେ ଯଜ୍ଞଯାଗ ।

 

ଚାଲିଚି ଆଜି ଏ ଭଗ୍ନତରୀ କି ଲାଗି ଚାଲିଚି କି ଆଶା ବହି ?

ଅନ୍ତରତଳ ବେଦନାଗାଥା କୂଳେ କୂଳେ ପ୍ରତି ଶ୍ରବଣେ କହି;

ଉପରେ ଆକାଶ ଦେଖକି ତମେ ଚନ୍ଦ୍ର ତାରାରେ ନୟନ ଟେକି

ନିମ୍ନେ ଧରଣୀ ବୁଝ କି ତମେ ? ସାନ୍ତ୍ୱନା ବାଣୀ ଦିଅ କି ଲେଖି ।

 

ବନପ୍ରାନ୍ତର କହ କି କଥା ଦେଖାଇ କବିରେ ସହାନୁଭୂତି

ବଜ୍ର ବିଜୁଳି ଦିଅ କି ତମେ ? ମହା ଅନ୍ଧାରେ ଆଶାର ଦ୍ୟୁତି ?

କଳତାନ ତୋଳି ତଟିନୀ ରାଣୀ ବିଲ ପଦା ବନେ ଯାଉଚ ବହି

ପ୍ରତି କଳତାନ ଭିତରେ ତବ ମୋପାଇଁ ବାର୍ତ୍ତା ଅଛିକି ରହି ?

 

ବିର୍ହିକୁଳ ହେ ! କହ ତ କହ ନାଚିଗଲାବେଳେ ପୁଚ୍ଛ ମେଲି

ପ୍ରତି ଚନ୍ଦ୍ରିକା ଭିତରୁ ତବ ମୋପାଇଁ ଦୀପ୍ତି ଆସେ କି ଖେଳି ?

ଦୂର ପର୍ବତ ରହୁଚ ତମେ ମହା ଧରଣୀର ଗର୍ବପରି

ମୋ କାନେ ତୁମେ କି ମନ୍ତ୍ରଦିଅ ଧୈର୍ଯ୍ୟ ଧରାରେ ପାରିବି ଧରି ।

 

ଉଠିବି ଉଠିବି ପଲ୍ଲବି ମୁଁ ଯିବିନି ଯିବିନି ଯିବିନି ମରି,

କାନେ କାନେ ମୋର କହୁଚି କିଏ ବକ୍ଷେ କି ଅବା ପୀୟୁଷ ଭରି !

ମୋ ଭିତରେ କିଏ ଜୀବନ ଆଣେ ଘନ ଅନ୍ଧାର ନୀରବେ କାଟି

ମୋରେ ଆଜି କିଏ ଦେଖାଏ ବାଟ, ନିର୍ମଳ କରି କଣ୍ଟା ଝାଟି ।

 

ଶତ ଆଲୋକର ସ୍ୱର୍ଣ୍ଣରେଣୁ ଚଉଦିଗା ମୋର ହୋଇଛି ବୁଣା

ମୋରେ ଆଜି କିଏ ନିଜର କରି ଢ଼ାଳି ଦିଅଇ ତ’ ସେନେହ ଚୂନା;

ସୁନ୍ଦର କରି ଧରଣୀ ପରେ ମୋରେ ଆଜି କିଏ ଦଉଚି ଗଢ଼ି

ଅଧରେ ମୋହର ଫୁଟାଏ କିଏ ପାରିଜାତକର ସ୍ୱର୍ଣ୍ଣକଳି !

 

ରୁଦ୍ଧ ହୋଇ ମୁଁ ପାରୁନି ରହି ଦୂରେ ବହୁଦୂରେ ଯାଉଚି ଚାଲି

ପ୍ରାଣର ବେଦନା ଭିତରୁ ମୋର ଅମୃତଧାରା ଝରୁଛି ଖାଲି;

ଉଠିବି ଉଠିବି ପଲ୍ଲବି ମୁଁ ଯିବିନି ଯିବିନି ଯିବିନି ମରି,

ମୋ ଭିତରେ କିଏ ଶକ୍ତି ଆଣେ ରକ୍ତେ ରକ୍ତେ ଚେତନା ଭରି ।

 

ଏଇ ଯେ କୁଟୀର ପାନ୍ଥଶାଳା ରୁଦ୍ଧ ନୁହେ ମୁଁ ଏହାରି ତଟେ

ଅସୀମ ଭିତରୁ ଜନ୍ମ ମୋର ମିଶିବି ଅସୀମ ବକ୍ଷପଟେ;

କେଉଁ ବିରାଟର ସ୍ପର୍ଶ ଲାଗି ଉତ୍‌କୂଳ ମୋର ପରାଣ ମନ

ସକଳ ଦୁଃଖ ଅଶ୍ରୁତଳେ ଶୁଣେ ମୁଁ କାହାର ବଂଶୀସ୍ୱନ;

 

ବିରାଟ ସୃଷ୍ଟି ରହିଚି ଆଗେ, କେତେ ଉତ୍‌ଥାନ ପତନ ସହି-

ଶୁଣିବି କାହାର ଓଠର ବାଣୀ; ଉତ୍କଣ୍ଠା କି ପରାଣେ ବହି ।

ଆସିଚ ମୋହର ଜନ୍ମଦିନ ଅଞ୍ଜନ କିବା ଦଉଚ ବୋଳି

ଯାଉଚି ମୁଁ କିବା ଆବେଗଭରେ କା ତୁଲେ ରଚିବି ସେନେହ ଡୋରି;

 

ସକଳ ମିଥ୍ୟା ସକଳ ଭ୍ରମ ସକଳ ଦୁଃଖ ଭିତରେ ମୁହିଁ

ସେ ଯେ ଗୋ ମୋହର ପରଶମଣି ଯାଉଜି ମୁଁ ତାରେ ଦେବାକୁ ଛୁଇଁ,

ଜୀବନ ମୋହର ପୁର୍ଣ୍ଣ ହେବ ଅସୀମ ଛନ୍ଦେ ଗାଇବି ଗାନ

ବିଶ୍ୱ ସକଳରନ୍ଧ୍ରେ ଆଜି ଜାଗିବି ହୋଇ ମୁଁ ସବୁରି ପ୍ରାଣ ।

 

ପ୍ରାଣର ଅଧିକାର

ତଥାପି ଆସଇ ମାୟା,

ତଥାପି ବାସନା ଜାଗେ ଅନ୍ତରେ ଅନ୍ତରେ,

ନ ଯିବାକୁ ଛାଡ଼ି ଏଇ କୁଟୀର ଏ ଦୂର ପ୍ରବାସର;

ଛାଡ଼ିବାର ବେଳେ,

ଲୋଚନଯୁଗଳୁ ମୋର ଦୁଇ ଟୋପା ଲୁହ ଝରି ପଡ଼େ !

ଏଥି ମୁହିଁ ଦେଖୁଥିଲି ସୂର୍ଯ୍ୟାସ୍ତର ସୁନେଲି କିରଣ,

ଏଥି ମୁହିଁ ଗବାକ୍ଷ- ଅୟନେ ଦେଖୁଥିଲି ସୀମାହୀନ ଯାତ୍ରୀଦଳ-

ହସିଖେଳି ଚାଲିବାର ମଧୁ ଆଳାପନେ ।

ବରଷାରାତିରେ ଏଥି ଏକାକୀ ମୁଁ ପଡ଼ୁଥିଲି ଶୋଇ ।

କେତେ ସ୍ୱପ୍ନ ମନର ଗହୀରେ ମୋର ଖେଳାଇ ଖେଳାଇ !

ଏଥି ମୁହିଁ ଲେଖୁଥିଲି ମୋହନ କବିତା

କେତେ ସୁଖ ଦୁଃଖ କେତେ ଆଶା ଆକାଂକ୍ଷାର ଢେଉ

            ମେଲାଇ ମେଲାଇ ! !

 

ଏଥି ମୁହିଁ ଫୁଟି ଫୁଟି ଆସୁଥିଲି

କୁସୁମକଳିକା ପରି ବର୍ଣ୍ଣ ଗନ୍ଧ କରି ବିକୀରଣ;

କେତେ ବନ୍ଧୁ ପ୍ରିୟଜନ ପରିଜନ ତୁଲେ

ରଚିଥିଲି ସୀମାହୀନ ମୋହନ ବନ୍ଧନ ! !

ଏଥି ମୁହିଁ ହସି ଥିଲି କାନ୍ଦି ଥିଲି,

କର୍ତ୍ତବ୍ୟର କଠୋରତାମେଳେ,

କାଟିଥିଲି କେତେ ଦିନ କେତେ ରାତି,

ଏଥି ଦିନେ କାହାକୁ ମୁଁ କରିଥିଲି ଜୀବନର ପ୍ରିୟତମ ସାଥି ! !

ଏଇ କ୍ଷୁଦ୍ର କୁଟୀରର କାନ୍ଥବାଡ଼ ମାଟି ଦୁବଘାସ-

ପାହାଚ ଅଙ୍ଗନ,

ସକଳର ସହ ରହିଚି ମୋ ଜୀବନର ମୋହନ ବନ୍ଧନ ;

ଏ ବନ୍ଧନ କାଟି,

କେମନ୍ତେ କୁଆଡ଼େ ଯିବି ?

କୋହ ଆସେ ବୁକୁତଳେ,

ନେତ୍ର ପ୍ରନ୍ତେ ଅଶ୍ରୁ ଉଠେ ଭାତି !

ତଥାପି ଯିବାକୁ ହେବ, ତଥାପି ତ ଛାଡ଼ିବାକୁ ହେବ ଏଇଥର,

ମୋ ଅନ୍ତର ଅଧିକାର ୟା’ ଉପରେ ଯେତେ ଥିଲେ ମଧ୍ୟ,

ଏ କିନ୍ତୁ ମୋହର ନୁହେ ଆଉ ଜଣକର !

ହେଲେ ମଧ୍ୟ ଏ ମୋହର ଆପଣାରୁ ବଳି, ଅତି ଆପଣାର !

ଚାହିଁଲେ ଏହାକୁ ଲବେ ମୋହନ କମ୍ପନ ଜାଗେ

      ମୋ ଶାଣିତେ କିମ୍ପା ବାର ବାର ?

 

ହେ ମୋର କୁଟୀର ! ସୁଦୂର ପ୍ରବାସବାସେ,

ତୁମେ ମୋର ପ୍ରାଣର ବନ୍ଧୁରୁ ବଳି-

ଆହୁରି ନିଜର !

ଯାଉଚି ମୁଁ, ଥାଅ ତମେ !

ମୁଁ ତୁମଠୁ ଆଜି ସିନା ରହିବି ବିଚ୍ଛିନ୍ନ ହୋଇ,

ମୋ ଅନ୍ତରେ ବନ୍ଧା ତୁମେ ଯୁଗ ଯୁଗାନ୍ତର !

ଅସୀମ ଏ ବିଶ୍ୱମୋର ଚତୁର୍ଦିଗେ ରହିଅଛି ଘେରି,

କେତେଠି ବୁଲିବି ମୁହିଁ

କେତେଠି ଚାଲିବି ସୁଖେ ଦୁଃଖେ ହସି ଖେଳି,

କେତେ କାହାଠାରୁ ପାଇବି ମୁଁ

ଆଦର ସୋହାଗ ମଧୁ ସମ୍ୱର୍ଦ୍ଧନା ;

ଥିଲେ ଏ ଜୀବନଟିକ

କେତେ ଶିରୀ ବଇଭବ ଆସିବାର ଅଛି ସମ୍ଭାବନା !

 

ଏ ସମସ୍ତ ଭିତରେ

ସବୁ ଆତ୍ମୀୟରୁ ବଳି ପରମ ଆତ୍ମୀୟ ଭଳି

ବଞ୍ଚିଥିବ ତୁମେ ମୋର ଏଇ ବୁକୁ ତଳେ,

ପ୍ରାଣର ଅଧିକାର, ମମତାର ଅଧିକାର,

କି ବିରାଟ ! କି ସୁନ୍ଦର ! !

ଆଉ ତା’ ପାଖେ,

କ୍ଷମତାର ଅଧିକାର

କି ତୁଚ୍ଛ ! କି ନଗଣ୍ୟ ! କି ପ୍ରାଣହୀନ ! !

 

ନାବିକ

ଜୀବନପଥପରେ ଚାଳିଚ ଯେତେ ଦୂର ଏକାକୀ ନଉକାଟି ବାହି

ଚାଲହେ ଚାଲ ; ତୁମେ ଆହୁରି ଚାଲିଯାଅ ଜୀବନ ଚାଲିବାର ପାଇଁ

ଜୀବନେ ଦିନେ ତମେ ଲାଗିବ ସେଇଭୂଇଁ ଯା’ ଲାଗ ଏଇ ଅଭିଯାନ

ଭାଙ୍ଗି ପଡ଼ ନାଇଁ ଆଗରେ ଦେଖି କୋଟି ଭୀଷଣ ସଙ୍କଟ ଥାନ ;

 

ଆହୁଲା ଗୋଟିମାରି ଟିକିଏ ଗଲେ ଚାଲି, କେତେ ଯେ ଖୁସିନାଇଁ ଲାଗେ !

ସେଇତ ଜୀବନର ପରମ ସଂପଦ, ତା’ ଘେନି ଚାଲ ଆଗେ ଆଗେ ;

ଯେତିକି ଆଗେ ଆଗେ ଚାଲିବ ଅନୁରାଗେ ସେତିକି ପଥଯିବ ଦିଶି,

ପଛକୁ ଚାହଁ ନାଇଁ ପଛରେ କିଛି ନାଇଁ ଆଗକୁ ଚାଲ ଦିବାନିଶି,

 

ବାଧୁଚି ବେଶି ବେଶି ବାଧିବ ବାଧିବତ ପରୁଆ କିଆଁ ସେଥିଲାଗି ?

ଆସିବ ବହୁବାଟ, ଚାଲିବ ବହୁବାଟ ଜୀବନ ଅମୃତ ମାଗି ।

ଅର୍ଦ୍ଧପଥେ ତମେ, ରହିକି ଯିବ ମନେ ଭାଳୁଚ ବସି ବାରବାର

ସାଥିରେ କେହିନାଇଁ ସାହାସ ଦେବାପାଇଁ ଆଗରେ ମହାପାରାବାର ।

 

ଗରଜି ଆସେ ଢେଉ ପ୍ରଳୟ ବାତ୍ୟାରେ ପାହାଡ଼ ପରି ରୂପ ଧରି,

ଯାଉଚି ଯାଉଚି କି ଭୟ ଓ ଅବସାଦେ ଏକକୀ ଜୀବନରେ ଥରି ?

ନାହିଁତ ସାହାସାଥୀ ଦମକି ଯାଏ ଛାତି, ବିପଦ ମାଡ଼ିଆସେ ଖରେ

ସେ କେଉଁ ଦୂର ଭୂଇଁ କିଛି ତ ଦିଶେନାଇଁ ଅଥୟ ପ୍ରାଣ ମହା ଡରେ ।

 

ପଛକୁ ଫେରଯିବ ଅଥୟ ଚଞ୍ଚଳ ହୁଏ କି ଦେହ ମନ ?

ଅଥବା ବୁଡ଼ିଯିବ ଏ ମଝି ଗଣ୍ଡରେ ଜାଣିବେ ନାଇଁ କେହି ଜନ,

ଭାଳେଣି କରିବାର, କି ଅଛି ଦରକାର ? ଚାଲହେ ନଉକାଟି ବାହି,

ବୁଡ଼ିଲେ ବୁଡ଼ିଯିବ, ଦୁଃଖ କିବା ଅଛି ? ପଛକୁ ଆଉ ଫେରନାଇଁ ।

 

କାହାକୁ ଖୋଜୁଅଛୁ ? ଯାତ୍ରୀଚାଲ ଦୂରେ ତୁମେ ହିଁ ତୁମରି ତ ସାଥୀ,

ତୁମେ ହିଁ ତୁମରିତ ଦିହୁଡ଼ି ଜାଳିଯିବ, କାଟି ଏ ମହା ଅମାରାତି ।

କି କଥା ଭାଳୁଅଛ ? ଚାଲହେ ଚାଲ ଚାଲ, ସୁଦୂରେ ନଉକାଟି ବାହି

ତୁମେହିଁ ଚାଲିବ ତ ଅସୀମ ଏଇପଥେ ପଛକୁ ଆଉ ଫେରନାହିଁ ।

 

ସାହସ ଧରି ମନେ ଚାଲିଚ ଚାଲୁଚ ତ ଅଟକି ଯାଅ ପୁଣି କିଆଁ ?

ଖଣ୍ଡେଦୂର ଯାଇ ଚମକି ଚାହିଁ କାହିଁ ? ଯାଉଚି ଦବି ତୁମ ହିଆ ।

ଆଉ ମୁଁ ପାରିବିନି, ଆଉ ମୁଁ ସାରିବିନି, ଏ ଦେହ ମନର ଯେ ବଳ

କଅଣ ଦେଖି ତମେ ଏଭଳି କ୍ଷଣୁ କ୍ଷଣ ହେଉଚ ଦୁର୍ବଳତର ?

 

ଚାଲ ହେ ! ଚାଲ ! ଚାଲ ! ଆହୁରି ସମ୍ଭାଳ ଯେତେ ପଥେ ଆସିପଡ଼େ

ଆହୁରି ଆସିବ ତ ଜୀବନ ବିକ୍ଷତ କରିବାପାଇଁ ମହୀ ତଳେ

ସେ ଲାଗି କାନ୍ଦିବ ? ମୁଣ୍ଡ କୋଡ଼ି ହେବ ? ସେଥିରେ ଲାଭ କିଛି ନାଇଁ

ଚାଲ ହେ ! ଚାଲ ! ଚାଲ ! ଅସୀମ ଜଳଧିରେ ଏକାକୀ ନଉକାଟି ବାହି;

 

ତୁମେ କି ବିଚାରିଚ, ଆହୁରି ବିଚାରୁଚ ଗଣ୍ଡେ ରଖି ତମ କର

କେତେ ଯେ ଆଶା ମୋର ସ୍ୱର୍ଣ୍ଣ ସୁନ୍ଦର ବ୍ୟର୍ଥ ଓ ବିକଳତର !

ହସେ ମୁଁ ହସେ ଖାଲି, ତୁମରି କଥା ଭାଳି ଚାଲ ହେ ! ଚାଲ ଚାଲ ଚାଲ

ଆସିଚ ଯେତେ ବାଟ ସଙ୍ଗେ ଧରି ଥାଟ, ପାଇଚ ଯାହା ପାଇବାର ।

 

ଛାତିରେ ହାତ ଦେଇ ପାରିବ କେବେ କହି ପାଇନ ତୁମେ କିଛି ହେଲେ

ଆହୁରି ପାଇବ ତ, ଆହୁରି ଚାଲିବ ତ, ଲକ୍ଷ କୋଟି ଢେଉ ମେଳେ ! ! !

ପୁଣି ତ ଚାହିଁ ଅଛ ଟିକିଏ ହସି ଦେଇ, ସୁଦୂର ସେଇ ବେଳା ଭୂଇଁ

ଶ୍ରବଣଯୁଗେ ତବ କାହାର ଡାକ ସତେ ଯାଉଛି ବାର ବାର ଛୁଇଁ !

 

ତୁମରି ପାଇଁ ସେ ତ ହୋଇଚି ଉତ୍‌ଥିତ ନିଦ୍ରା ନାଇଁ ତାର ଆଖେ,

ଦେଖିବ ଓଠେ ହାସ, ପରାଣେ ଉଲ୍ଲାସ ନିମିଷେ ମିଶିଗଲେ ପାଖେ ।

ଯାହାରେ ଖୋଜି ଅଛ, ଯାହାରେ ଖୋଜୁଅଛ ଚାଲିତ ତୁମେ ଯାହା ଲାଗି

ଚକ୍ରବାଳତଳେ ସ୍ୱର୍ଣ୍ଣରବି ପରି, ସେ ଉଠୁନିକି ବାରେ ଜାଗି !

 

ତୁମରି ଜାଗରଣେ ତାହାର ଜାଗରଣ ତୁମର ହାସେ ତାର ହାସ

ତୁମରି ଯାତ୍ରାର ଅସୀମ ବେଦନାରେ ତାହାରି ଫୁଟେ ଉଚ୍ଛ୍ୱାସ !

ଖୋଜୁଚ ତୁମେ ଯା’ରେ ଅସୀମ ଶରଧାରେ

      ତୁମରେ ସେ କି ଖୋଜୁ ନାଇଁ ।

ତୁମେ ଯେ ତାହାପାଇଁ ସିଏ ଯେ ତମପାଇଁ, ଚାଲ ହେ ନଉକାଟି ବାହି ।

 

ଛୋଟ ନଈ

କେତେ ଦୁରୂ କେତେ ଦୂରେ ଯାଉଚୁଲୋ ବହି !

କି ଅବୋଧ୍ୟ ବାଣୀ କହି ମହାଶୂନ୍ୟ କାନେ,

ସେ କେଉଁ ଅନାଦିକାଳୁ ମୋର ଛୋଟ ନଈ

ଏ ଭଳି ଯାଉଛୁ ଚାଲି ମୁଁ ତ ନାହିଁ ଜାଣେ ।

 

ଦେଖିଥିବୁ ଛୋଟ ନଈ ଦେଖିଥିବୁ ମୋର !

ଅସହାୟା ବାଳିକାଟି କା’ କୋଳ ସଙ୍ଖାଳି

ତୋ କୂଳେ ବାସନ ମାଜି ନେତ୍ରୁ ଲୁହଧାର-

ଢାଳିବାର ବୁକୁବ୍ୟଥା ନ ପାରି ସମ୍ଭାଳି ।

 

କେ କହିଚି ଦୁଇକଂସା ଖାଉଥିବୁ ଖାଲି
ପୋଲାଧନ ପାଇଛୁକି ? କରିବୁନି କାମ ?

ମହାଶୂନ୍ୟେ ଚାହିଁ ସେହୁ ଯାଉଥିବ ଭାଳି,

ସବୁଠୁ ନିଠୁର ବଡ଼ ଏ ଅନାସ୍ତ ପ୍ରାଣ ।

 

ଦେଖିଥିବୁ ଛୋଟ ନଈ ଦେଖିଥିବୁ ନିକି ?

ଓଷଦ ନ ପାଇ ଟୋପେ ଭେଣ୍ଡା ବୟସର-

ସେ କେଉଁ କୃଷକ ପିଲା ବୁଜିଅଛି ଆଖି,

ବୁଢ଼ାବୁଢ଼ୀ ରହିଛନ୍ତି ଚାହିଁ ଜଳ ଜଳ !

 

ତୋ ତୀରେ ଜଳୁଛି ଚିତା ଶିଖା ମେଲି ନଭେ,

ଶୁଭୁଛି କୁଟୀର ଭରି ରୋଳ କ୍ରନ୍ଦନର

ଏଇଭଳି କେତେ ପ୍ରାଣ ନିଭଇ ନୀରବେ

କେ ବୁଝୁଛି ଦରିଦ୍ରର ବ୍ୟଥିତ ଅନ୍ତର !

 

ଦେଖିଥିବୁ ଛୋଟ ନଈ ତୀରେ ତୋର ଚାଲି-

ଆସୁଥିବ ବିଲମାଳୁ ମୂଲିଆ ବାପୁଡ଼ା

ପଙ୍କମାଟି ସଲବଲ ଦିହ ସାରା ଖାଲି,

ହଂସା ଉଡ଼ୁଥିବ, ଦିଶୁଥିବ ଦରମରା ।

 

ଭାଳୁଥିବ ଘରେ ଗଲେ ମୂଲ-ଗଣ୍ଡିକରେ,

ଆଣିବି ସୋରିଷ ଲୁଣ, ଚାଉଳ ବା କାଠ,

ଘରେ ଆଠଜଣ କାହୁଁ ଚଳିହେବ ଭଲେ

ଅଣ୍ଟୁନି ତ ଯେତେ ଅରଜିଲେ ଏଇ ହାତ ।

 

ଦେଖୁଥିବୁ ଛୋଟ ନଈ ଦେଖିଥିବୁ ନିକି ?

ବେଦନାର ମସୀରେଖା ତା’ ଦରିଦ୍ରଭାଲେ

ସୁଖ ସରାସର ସ୍ୱର୍ଣ୍ଣମୟ ଝିକିମିକି

ତା’ ମୂଖ ମଣ୍ଡଳ ଆଉ ନେଲା ନାଇଁ ବାରେ !

 

ସେ ପାହାଡ଼ କାନ୍ଥି ଡେଇଁ ଆସିବାର ବେଳେ

ଦେଖିଥିବୁ ବାର ବାର କରି, ଛୋଟ ନଈ !

ପିଲାଠାରୁ ବୁଢ଼ାଯାଏ କାଠଗୋଛା ଶିରେ

ଆସୁଛନ୍ତି, ସ୍ୱେଦବିନ୍ଦୁ ଅଙ୍ଗୁ ଯାଏ ବହି ।

 

କେ’ କହୁଚି ଚପରାଶୀ ଆଜି ଧରିଥିଲେ

ନେଇଥାନ୍ତା ସବୁରିଠୁ ନିଶ୍ଚେ ଅଣେ ଅଣେ,

ଆନ କହେ ରଖିଚି ସେ ମୋର କଟୁରୀରେ

ପଇସା ନ ଦେଲି ଦିନେ ବଡ଼ ବଣେ ।

 

ନିଃସ୍ୱର ଉପରେ କେତେ ହୁଏ ଅନାଚାର

ଦେଖ ଦେଖି ଆସୁଥିବୁ ମୋର ଛୋଟ ନଈ !

ଏ ମାଟି ଉପରେ କେତେ ତପ୍ତ ଲୁହଧାର -

ଝରିପଡ଼େ କେହି କେବେ ତିଳେ ନ ବୁଝଇ ।

 

ଦେଖିଥିବୁ ଛୋଟ ନଈ ତୋର ତୀରେ ତୀରେ

ଆସୁଥିବେ କନ୍ଧବାଳା ଫଳମୂଳ ବିକି

ସତ୍ୟ ସାରଲ୍ୟର କିବା ମୂର୍ତ୍ତି ଧରଣୀରେ ।

ଜାଣନ୍ତିନି କରିବାର ଛଅ ନଅ ଟିକି ।

 

ପ୍ରତିପଦେ ତାଙ୍କୁ ଆହା ଭୁଲାଇ ଭୁଲାଇ

କିଏ କେତେ ଘାଟେ ଦେଉଥିବେ ଠକି

ଶଠତା ଭିତରେ ହାୟ ଜୀବନ ଖେଳାଇ

ଅମୃତ ଧାରାରେ କିଏ ଭୋଗି ପାରିବ କି ?

 

ଫେରିବାର ବେଳେ ଆହା କି କରୁଣବାଣୀ

କହୁଥିବେ ‘‘ଠକି ଦେଲା ! ଆଉ ଆସିବାନି ।’’

ସଭ୍ୟ ସମାଜର ହାୟ ଏ କି ସୟତାନି ?

ମଣିଷ ବୁକୁର ବ୍ୟଥା ନାଇଁ ପାରେ ଜାଣି ?

 

ଆଜି ଏ ସନ୍ଧ୍ୟାରେ ତୋର କୂଳେ କୂଳେ ବୁଲି

ପୃଥିବୀ ଅନନ୍ତ ବ୍ୟଥା ବୁଝୁଚି ହୃଦୟେ,

ସିକ୍ତ ହୋଇ ଆସେ, ନେତ୍ର, ଲୁହେ ପୂରି,

ତୋ ପ୍ରତି ଉର୍ମିରେ ମୁଁ ଖାଲି ଚାହିଁ ରହେ !

 

ଏ ଦୁଃଖର ହେବ କେବେ କହ ସମାଧାନ ?

କହ ଛୋଟ ନଈ ମତେ କହ ମୋର କାନେ ।

ଜାଗିବ ସବୁରି କଣ୍ଠେ କେବେ ମଧୁଗାନ ?

ଭାଳିହୁଏ କୂଳେ ତୋ’ର ତାହାରି ସନ୍ଧାନେ ।

 

ମଣିଷ ବକ୍ଷ ଲୋଡ଼ା

ବୁଲିଚ ଏଇ ପାହଡ଼ ତଳେ, ଚାଲିଚ କୁଦି ଏମାଟି ଗୋଡ଼ି,

ବାଳୁତବେଳେ ନଗ୍ନ ଦେହେ ଖେଳିତ ଏଇ ଗଛରେ ଦୋଳି ।

ଏ ନଈ ବାଲି ଉପରେ କେତେ ଶୋଇଚ ତମେ ସନ୍ଧ୍ୟା ଯାମେ

ଶୁଣିଚ ଗୋପ ବାଳକ ବେଣୁ, ଗୋଧନ ଟିପାଶବଦ କାନେ ।

ଏଇଯେ ତୁମ ପଲ୍ଲି ଗାଆଁ

ପାଳିଚି କିବା ତୁମରି ମାଆ,

ଏହାରି କୋଳେ ଆସିଚ ବଢ଼ି ବକ୍ଷଭରା ସେନେହଦାନେ

ଏସବୁ କ’ଣ ବିସୋରି ଦେଲ ? ସ୍ମୃତିକି ମନେ ପଡ଼ୁନି ଧାନେ ?

 

କିଏ ସେ ଧନୀ, ଗରୀବ କିଏ, କିଏ ସେ ଅବା ଭିକାରୀଟିଏ,

କାହାର ଅଛି, କାହାର ନାଇଁ, କେ ମୂଲଲାଗି ଜିବିକା ନିଏ

କାହାକୁ ତୁମେ କରିଚ ଭାଇ ଡାକିଚ ମାମୁଁ ମଉସା କା’ରେ

କିଏ ସେ କେତେ ସେନେହ ମାୟା

ନାହାନ୍ତି ରଖି ତୁମରିଠାରେ ।

ଏମାନଙ୍କୁ ନିମିଷେ ଚାହିଁ,

ଘୃଣାରେ ନାକ ଟେକୁଚ କାହିଁ ?

ଏମାନଙ୍କୁ ହାତରେ ତୁମେ ଆସିଚ ବଢ଼ି ମନେ କି ପଡ଼େ ?

କି ବଡ଼ପଣ ଦେଖାଇ ହୁଅ ଏଇମାନଙ୍କ ସମକ୍ଷରେ ?

 

ସାମାନ୍ୟ ଏ ଲୁଗାଟି ପିନ୍ଧି ଏ ମାଟିପରେ ଚାଲିବାପାଇଁ-

ଟିକିଏ ବାଟ, ତୁମେ ଭାଳୁଚ, ଖ୍ୟାତିରେ ବାଧା ଆସିବ ନାଇଁ ?
ଅଣ୍ଟାଭିଡ଼ି କି କାମ ତୁମେ କରିବ କହ ଏ ମାଟି ଲାଗି,

ଏ’ ମାଟି ଦୁଃଖେ ଯା’ ବୁକୁତଳେ ଟିକିଏ ବ୍ୟଥା ଉଠୁନି ଜାଗି !

ତୁମେ ତ ନୁହ ଅଜଣା କା’ର,

ତୁମେ ଏ’ମାଟି ଶୋଣିତ ଧାର,

ଭିନ୍ନ କରି ନିଜକୁ ତୁମେ ଦେଖୁଚ କିମ୍ପା ଏ ମାଟିପରେ,

କି ସମ୍ମାନ କିଏସେ ଦେବ ତୁମରି ବେଶ ଆଡ଼ମ୍ବରେ ?

 

ଖାଲି ମଣିଷ ବକ୍ଷ ଲୋଡ଼ା ଦରିଦ୍ର ଏ ପଲ୍ଲି ପାଇଁ,

ଶତ ଅଭାବ ନିଷ୍ପେଷଣେ ଯାହାର ଶିରୀ ନିଭିଚି କାହିଁ ।

ହଜାର ହଜାର କଙ୍କାଳର ଶୁଭୁଚି ଖାଲି ଆର୍ତ୍ତନାଦ,

ଚତୁର୍ଦ୍ଦିଗେ ଦୁଃଖ ଦୈନ୍ୟ; ଚତୁର୍ଦ୍ଦିଗେ କି ଅବସାଦ ।

ଆଡ଼ମ୍ବର ପୋଷାକ ବେଶ

ଖୋଜେନା ଗାଁ, ଖୋଜେନା ଦେଶ,

ସେ ଖୋଜେ ଶତ ସ’ସ୍ର ବକ୍ଷ, ସେନେହ ଦୟା ଶୌର୍ଯ୍ୟ ବୋଳା,

ଦେଖାଇ ହେବ ଆଡ଼ମ୍ବର, ଦେଖିବ କିଏ ଅଛି କା’ ଡୋଳା

 

କେଡ଼େ ଦୁର୍ବିଷହ

ସେ ତ ମୋରେ ଖୋଜୁଥିବ

ନିଦ ଯେବେ ଯାଇଥିବ ଭାଜି !

ସେତ ମୋରେ ଡାକୁଥିବ

ନେତ୍ରୁ କେତେ ଲୁହ ତେଜି ତେଜି !

ସେତ ମୋରେ ଉତ୍‌ପକ୍ଷ୍ମ ନୟନେ

ଚାହୁଁଥିବ ବାର ବାର କରି,

ମୋରେ ନାଇଁ ଦେଖି ସେ’ତ

ବୁଲୁଥିବ ପ୍ରତିଜନେ ପଚାରି ପଚାରି ।

 

କିଏ କେତେ ଆସୁଥିବେ ଯାଉଥିବେ,

ସକଳରେ ଚାହିଁ ଚାହିଁ ଚାହିଁ,

ଭାଳୁଥିବ ଏମାନଙ୍କ ମେଳେ

ସେ ନାହାନ୍ତି ଗଲେ ତେବେ କାହିଁ ?

ତା’ ଶିଶୁ ଅନ୍ତରତଳେ କଳ୍ପନାର ମୋହନ ତରଙ୍ଗ

ଉଠୁଥିବ କେତେ ବାର ଫୁଟି !

ବୁଝାଇଲେ ବୁଝୁ ସେ ନ ଥିବ,

ଡାକୁଥିବ ମୋର କରି ପାଟି !!

 

 

ତାରେ ଚାହିଁ ଶିରେ ତା’ର-

ସେନେହ ପରଶ ବୋଳି ଆସିଥାନ୍ତି ହେଲେ !

ତା’ ଅଜ୍ଞାତେ ଆସିଲି କିମ୍ପାଇ ?

ଦୂରଦେଶେ ବସି କେତେ ଭାଳେ !!

କିମ୍ପାଇ ନିଠୁର ହେଲି ?

ତା’ଅନ୍ତରେ ଦେଲି କିମ୍ପା କଠୋର ଆଘାତ ?

ମୋରେ ନାଇଁ ଦେଖି ସେତ

ବ୍ୟସ୍ତ ହୋଇ, ଖାଉଥିବ ନାଇଁ ମୋଟେ ଭାତ ।

 

କାନ୍ଦୁଥିବ, ରୁଷୁଥିବ, ଗଡ଼ି ଯାଉଥିବ-

ଭୂଇଁ ପରେ ବାର ବାର କରି

ତା’ଅନ୍ତର ଅମୃତ ବାରିଧି ହେଉଥିବ-

ଉଦ୍‌ବେଳିତ, ମୋରେ ପାଖେ ରଖିବାକୁ ଧରି,

ମୁଁ କିନ୍ତୁ ପାରିଲି ନାଇଁ ରହି

ଅଦେଖାରେ ଅଜଣାରେ ତା’ର

କିମ୍ପାଇଁ ଆସଲି ଚାଲି,

ତା ମମତା ପ୍ରତି ଏକି ମୋର ଅବିଚାର !

ମମତା ମମତା ଖାଲି ବିରାଟ ମମତା

ଆଦି ଅନ୍ତହୀନ ସେ ଯେ ମହା ପାରାବର

କିମ୍ପାଇଁ ଆସିଲି ଛାଡ଼ି ?

ତହିଁରେ ସିନାନ କରିବାର ପୁଣ୍ୟ ଅଧିକାର ;

 

କେତେ ସିଏ ଡାକିଥିବ, କେତେ ସିଏ ଖୋଜିଥିବ,

କେତେ ସିଏ ଚାହିଁଥିବ ମତେ,

ଦାଣ୍ଡପଟେ ବାଡ଼ିପଟେ କେତେ ଠିଆ ହୋଇ ଦେଖୁଥିବ !

ତାର ସ୍ନିଗ୍‌ଧ ମନ ପଟେ

ଆଶା ନିଆଶାର କେତେ ଲୁଚକାଳି ଖେଳ

ଯାଉଥିବ ଘଟି,

 

ମୁଁ କିମ୍ପା ଆସିଲି ଲୁଚି

କେଡ଼େ ନିଷ୍ଠୁର ପାଲଟି !

ମୋର କିମ୍ପା ତାହା ପ୍ରତି

ଏ ଶଠତା, ହୃଦହୀନ କାରବାର ନିଦାରୁଣ ତମ ?

ମୁଁ କିମ୍ପା ତା ନିର୍ମଳ ଆଶା ଆକାଂକ୍ଷାରେ

ଦେଲି ନାଇଁ ସମ୍ମାନ ପରମ ?

ଅନ୍ଧର ଜୀବନ ମୋର କେମନ୍ତେ ପାରିବ ତୋଳି

ସରଗର ସ୍ୱର୍ଣ୍ଣ ପାରିଜାତ ?

ତାପଦଗ୍‌ଧ, ଏ ଅନ୍ତର କେଉଁ ମନ୍ଦାକିନୀଜଳେ

ଆପଣାରେ ପାରିବ ବା କରି ପରିସ୍ନାତ ?

 

ତା’ ଆଖିରୁ ଅଶ୍ରୁ ଦୁଇ ଧାର ଦେଇଥାନ୍ତି ପୋଛି,

ତା ସ୍ୱର୍ଣ୍ଣ ଅଧର ତଳୁ ଅମୃତର କଥା ପଦେ

ପାରିଥାନ୍ତି ଶୁଣି,

ସିଏ ମୋରେ ଚାହୁଁଥାନ୍ତା, ମୁହିଁ ତାରେ ଚାହୁଁଥାନ୍ତି,

ଦିହେଁ ଆମେ ଦୁଇଆଡ଼େ ଯାଉଥାନ୍ତୁ ଚାଲି,

ଜଣେ ଆନ ଜଣକରେ ପ୍ରାଣର ଅନନ୍ତ ଅର୍ଘ୍ୟଟିକ ବାଢ଼ି !

ପ୍ରାଣର ଏ ଆଦାନ ପ୍ରଦାନ,

ପ୍ରାଣର ଏ ଦେଖା ଓ ସାକ୍ଷାତ,

ପ୍ରାଣର ଏ ଆଶା ଅଭିଳାଷ,

ପ୍ରାଣର ଏ ମୋହନ ଉଚ୍ଛ୍ୱାସ,

-ସକଳରେ ନିର୍ମମେ ଆଡ଼େଇ ଦେଇ-

ଚାଲି ଆସିବାରେ, ଏ ଜୀବନେ କାହିଁ ମିଠା କହ ?

ଏ ଜୀବନ ଲାଗେ ଆଜି କେଡ଼େ ଦୁବିଷହ !!

 

ଜ୍ୟୋତିରିଙ୍ଗଣ

ନିବିଡ଼ ଭୀଷଣ ଅନ୍ଧକାର ମୁହଁକୁ ଦିଶେନି ମୁହଁ

ଘୋର ଦୁର୍ଦ୍ଦିନ-ବରଷା ଆସେ

ବହଇ ବାତ୍ୟା ସୁଅ !

ବଜ୍ରର ସେ’ଯେଗୁରୁ ଗରଜନ

ଚମକାଇ ଦିଏ ପ୍ରତି ଜନମନ ।

 

ଆକାଶ ଅବନୀ ଘନ ଅନ୍ଧାର ପୁରୀ,

ନାଇଁ ତ ଆକାଶେ ରବି ଶଶୀ ତାରାଗ୍ରହ

ପାନ୍ଥ ମୁଁ ଆଜି ଚାଲିଅଛି ଏକା ଏକା

ବେଦନା ମୋହର ବିରାଟ ଦୁର୍ବିଷହ !

 

ପଥ କାହିଁ ? ପଥ କାହିଁ ?

ବିରାଟ ଭୁବନେ କିଭଳି ଚାଲିବି ।

କାହାର ଆଶ୍ରା ପାଇ !!

 

ନିବିଡ଼ କୃଷ୍ଣ ବାରିଦେ ଆକାଶ ତଳ

ଚାହିଁ ହୁଏନାଇଁ ଭୀଷଣୁ ଭୀଷଣତର !

ଚଉଦିଗ ଖାଲି ଆଶ୍ରୟହୀନ ଲାଗେ,

ପଥ ଅଣ୍ଡାଳି ଚାଲିପାରେ ନାଇଁ ଆଗେ ।

 

ଏତିକି ବେଳେ କେ’ କ୍ଷୁଦ୍ର ଆଲୋକକଣା

ଜଳି ଜଳି ଆସେ କହି କହି ମତେ
‘‘ବାଟ କି ହେଉଚ ବଣା ?’’

 

କ୍ଷୁଦ୍ର ମୁଁ ଅତି ନାଇଁ ମୋ ସମାଜେ ଥାନ

ଦିଏନି ମୋରେ କେ’ ଗଉରବ ସମ୍ମାନ !

ମୋର ପ୍ରଶସ୍ତି ଯାଏନି ବନ୍ଦୀ ଗାଇ,

ଆଦର ସେନେହ ମୁଁ କାର ପାରେନି ପାଇ !

 

ଧରିଣୀ ନିତ୍ୟ ଉପହାସ କରେ ମୋରେ

ବିରାଟ ଶକ୍ତି ନାଇଁ ମୋର ଧରା ତଳେ;

ଘୋର ଦୁର୍ଦ୍ଦିନେ ଘୋର ସଙ୍କଟବେଳେ

ସାହା ସାଥୀ ଯେବେ ମିଳେନାଇଁ ଜଣେ ହେଲେ

କ୍ଷୁଦ୍ର ମୁଁ ମୋର କ୍ଷୁଦ୍ର ବିଭବ ସହ

ଠିଆହୁଏ ଆସି ନାଇଁ ଥାଉ ପରିଚୟ !

 

ମୋରେ କିଏ ଜାଣୁ ଅଥବା ନ ଜାଣୁ ମତେ,

ଠିଆହୁଏ ଆସି ସବୁରି ବିପଦ ପଥେ;

କ୍ଷୁଦ୍ର ମୋହର ଦୀପଟିକ ଜାଳି ଦେଇ

ପନ୍ଥା ଦେଖାଏ ଯାଅ ଏଇ ବାଟ ଏଇ;

 

ନ ହୁଏ ନ ହୁଏ ମୁହିଁ ରବି ଶଶୀ ତାରା

ପଡ଼ି ରହିଥାଏ ମାଡ଼ି ଏ ବିପୁଳ ଧରା

ମହାଦୁର୍ଦ୍ଦିନେ ସବୁରି ବନ୍ଧୁ ହୋଇ

ଦିନ ବାହିନିଏ ଅବସନ୍ନ ମୁଁ ନୋହି;

 

ନ ଦିଅ ନ ଦିଅ ଗଉରବ ସମ୍ମାନ

ଆନନ୍ଦେ ମୁହିଁ କରି ନିଏ ମୋର କାମ ।

ଚାଲହେ ପାନ୍ଥ ! ଚାଲ ଚାଲ ଚାଲ ଚାଲ !

ଭୟ ନାଇଁ ମୁହିଁ ଅଛି ତବ ଆପଣାର ।’’

 

ନିରଞ୍ଜନ

ହେ ଦୀନ ଅରକ୍ଷ ଶିଶୁ ! ନିରଞ୍ଜନ ! ଶୂନ୍ୟ କରି ଦରିଦ୍ର କୁଟୀର

ଅସମୟେ ଚାଲିଗଲ ! ସବୁରି ନୟନୁ ବୋହେ ଅସରନ୍ତି ନୀର !

ନନା ଯାଇଥିଲେ ଚାଲି,

ବିଧବା ଜନନୀ କୋଳେ ବଢ଼ିଥିଲ ଦୁଃଖେ ଦୁଃଖେ ମହାଦୁଃଖେ ତମେ

ଦରିଦ୍ର ଖୁଡ଼ୁତା ତବ ପାଳୁଥିଲେ, ପୋଷୁଥିଲେ,

କେତେ କାଳ କେତେ ଦୁଃଖେ ନିଃସ୍ୱ ଅରଜନେ !

 

ତମକୁ ନିୟତ ଚାହିଁ, ସବୁ ଦୁଃଖ ଯାଉଥିଲେ ଭୁଲି

ତୁମେ ଥିଲ ତାଙ୍କ ଆଶା ଭରସାର ଥଳ;

ତୁମରି ଦରୋଟି ବାଣୀ,

ତୁମରି ବିନମ୍ର ପ୍ରାଣ,

ତୁମରି ସେ ଟିକି ହୃଦୟର ଅସରନ୍ତି ସେନେହ ମମତା-

ଏ ସକଳ ଚାହିଁ,

ତୁମ ସାଇ ପଡ଼ିଶାର ସକଳେ ତୁମକୁ କେତେ ପାଉଥିଲେ ଭଲ !!

କେଉଁ ପଳ୍ୱଳର ସଜ କଇଁ-ଫୁଲଟିଏ ପରି,

ହସୁଥିଲ, ନାଚୁଥିଲ, ଖେଳୁଥିଲ ମନ ବିନୋଦନେ

ଗୋଟିଏ ମୁହୂର୍ତ୍ତେ ହାୟ ଚାଲିଗଲ ସେ ପାର ଭୁବନେ ।

 

ଲୁଗାପଟା ରହିଚି ସେପରି, ବହି ସ୍ଲେଟ, ସବୁ ଥୋଇ ଅଛ,

ସତେ ଅବା ଯିବ କାଲି ପଢ଼ିବାର ପାଇଁ !

ତୁମ ଟିକି ହାତ ଲେଖା ଚିଠିଖଣ୍ଡ ପିୟୁସାଙ୍କ ଲାଗି-

ରହିଅଛି ଡାକଘରେ ପଡ଼ିବାକୁ ତୁମକୁହିଁ ଚାହିଁ;

ଭାତ ହୋଇଥାନ୍ତା ବଢ଼ା, ଦରିଦ୍ର ଜନନୀ ଖୋଜୁଛନ୍ତି ଆତୁରେ ତୁମରେ,

ତୁମରି ପାଦଚିହ୍ନ, କି ସୁନ୍ଦର ଟିକି ଟିକି ପାଦ !!

ପଡ଼ିଅଛି କୁଟୀର ଚତ୍ୱରେ ।

ତୁମରି ମୋହନ ମୂର୍ତ୍ତି ସବୁନେତ୍ରେ ରହିଅଛି ହୋଇ ଢଳ ଢଳ

ଟିକି ଟିକି ପିଲେ ତୁମରି ଯେ ସାଙ୍ଗସାଥୀ

ସଭିଏ ଅଛନ୍ତି ରହି, ତୁମ କଥା ଭାଳି ନିରନ୍ତର,

ତୁମେ ହାୟ ଚାଲିଗଲ କାହିଁ !

 

ତୁମ ଲାଗି, ଘର ଲାଗି, ସାଇ ପଡ଼ିଶାର ଲାଗି,

ଅସୀମ ଏ ଦୁନିଆର ଲାଗି,

ତୁମେ ଆଉ ଫେରିଲ ତ ନାଇଁ ।

ତୁମେ ଆଉ ନେତ୍ର ଫେଇ ଟିକେ ହେଲେ ଚାହିଁଲ ତ ନାଇଁ !!

ଦରିଦ୍ର ଯେ ଖୁଡ଼ୁତା ତୁମ୍ଭର

ସ୍କନ୍ଧେ ବହି ତୁମରେ ଯେ କେତେଥର ନେଇଥିବେ

ନାଟ ଜାତ ପୁନିଅ ପର୍ବ ଦେଖାଇବା ଲାଗି,

ସେଇ ସ୍କନ୍ଧେ ବହି ତୁମରେ ସେ ନେଇଗଲେ

ସମୁଦ୍ର କିନାରେ ସେଇ ବିଜନ ବାଲିରେ ଦେଲେକ ଶୁଆଇ;

ଥରେ ଚାହିଁ, ଦୁଇଥର ଚାହିଁ, ତିନିଥର ଚାହିଁ

ଲକ୍ଷ ଥର ଚାହିଁ,

ଆଉ ଚାହିଁ ପାରିଲେ ତ ନାଇଁ !

ଫେରିଲେ; ଫେରିଲେ କୋଟି ବିନ୍ଦୁ ଲୁହ

ନେତ୍ରପ୍ରାନ୍ତୁ ନୀରବେ ଗଡ଼ାଇ !!

 

କୁଟୀରେ ଫେରିଲେ,

କୁଟୀରଟି ଲାଗେ ଶୂନ୍ୟ;

ବାହାରକୁ ଆସିଲେ,

ବାହାରଟା ଭଲନାଇଁ ଲାଗେ;

ବସିଲେ ଘଡ଼ିଯାଏଁ, କେଉଁଠି ବସିବେ ?

ତାଙ୍କ ପାଇଁ ଶୂନ୍ୟ ଚାରିଆଡ଼ !

ମନେ ପଡ଼େ ଖାଲି ସେଇ ସମୁଦ୍ର କିନାର !

ନିରଞ୍ଜନ ! ନିର ! ନିର ! କାହାପାଇଁ ଆସିଥିଲୁ ?

କାହାପାଇଁ ଚାଲିଗଲୁ ?

ଚିରଦିନପାଇଁ ବୁକୁତଳେ ରଖିଗଲୁ ଦୀର୍ଘ ହାହାକାର !

ତୋ ଜୀବନ, ମୋ ଏ ଯେ ଲକ୍ଷ କୋଟି ଜୀବନ

କାହାର ? କାହାର !!!

 

ନିସର୍ଗର ଦେଶେ

ବସି ଏଇ ବିଜନ ନିମିଷେ ସୁଦୂର ଏ ପରବାସ ବାସେ

ତୁମ ତୁଲେ ଦେଖୁଛି ମୁଁ ସଖା ନିସର୍ଗର କେତେ ମଧୁଛବି

ହୃଦୟର ବିପୁଳ ଉଚ୍ଛ୍ୱାସେ ।

ଦେଖୁଚି ମୁଁ ନଭଶ୍ଚୁମ୍ବୀ ଦୁର୍ଗା ଶିଖରୀର

ନୀଳତର ଅନନ୍ତ ମାଧୁରୀ

ଦେଖୁଚି ମୁଁ ଶ୍ୟାମ ବିଲମାଳ ,ମୁହାଣେ ମୁହାଣେ

ଜଳଧାରା ଝରିପଡ଼େ କଳବେଣୁ ତୋଳି !

 

 

ଦେଖୁଚି ମୁଁ ନୀଳାପୁର ପାହାଡ଼ର ନାଶି,

ମେଘ ଯହିଁ ଚରିଉଠେ ସ୍ୱପ୍ନାୟିତ ଜୀବନର ମୁଗ୍‌ଧରୂପ ଧରି;

ଦେଖୁଚି ମୁଁ ଆଷାଢ଼ର ପହିଲି ବେଳାରେ

ଗୁରାଣ୍ଡି ଗାଆଁର ଏଇ ଆମ୍ବ ତୋଟା ଉପକଣ୍ଠେ,

ଜଳର ଅମୃତ ଲୀଳା ଲହରେ ଲହରେ ନାଚେ,

ଗୋଟିଏ କ୍ଷୁଦ୍ର ଚିଲିକାର ଛବି ସୃଷ୍ଟିକରି ।

 

ଦେଖୁଚି ମୁଁ କେତେ ଜନପ୍ରାଣୀ ପରିଚିତ ଅର୍ଦ୍ଧ ପରିଚିତ

ମୋ ତୁଲେ ହେବାର କଥା, କରିବାର ମୋରେ କେହ୍ନେ

ନିଜରୁ ନିଜର ;

କେତେ କା’ର ସୁଖ ଦୁଃଖ ଜୟ ଜରାଜୟ କଥା

ଶୁଣୁଚି ମୁଁ ଏଥି ବସି କେତେ କେତେ ଥର !

 

ଦେଖୁଚି ଗୋଧନପଲ, ଶୁଣୁଚି ମହିଷଟିପା

ମେଷ ଛାଗ ଚରିବାର, ବୁଲିବାର ଗିରି ପଦତଳେ;

ଦେଖୁଚି ସୂର୍ଯ୍ୟାସ୍ତ, ଦେଖୁଚି ଜୋଛନା ରାତି

ଥିରି ଥିରି ହସି ହସି ଆସିବାର ଧରଣୀ ଉପରେ

କେଉଁ ସ୍ୱପ୍ନପୁରୀ ରାଜବାଳା ପରି,

ଚତୁର୍ଦ୍ଦିଗେ ଶାନ୍ତି, ସ୍ନେହ, ଆନନ୍ଦର ଅପରୂପ ଶିରୀ

ମୁକ୍ତ ମନେ ମୁକ୍ତ କରେ ଅଜାଡ଼ି ଅଜାଡ଼ି !!

 

ଶୁଣୁଚି ମୁଁ ଦଳୁଆଣୀ କିଶୋରୀ କଣ୍ଠର

ହୃଦଭରା ମୋହନ ସଙ୍ଗୀତ,

ପ୍ରତି ବିଲମାଳୁ ଭାସି ଭାସି ଆସେ

ବର୍ଷଣ ଏ ବାରିଦ ବେଳାରେ

ଧାନ ରୋଇବାର ବେଳେ;

କି ଅମୃତ ରସଧାରା ଝରି ନାହିଁ ପଡ଼େ ଏଇ ମାଟିର ବକ୍ଷରେ ?

ପ୍ରାଣ ଯେବେ ସୀମାହୀନ ଆନନ୍ଦରେ

ନିୟତ ଉଦ୍‌ବେଳେ !!

 

ଦେଖୁଚି ମୁଁ ଆସିବାର ସୁଦୂର ଏଇ ପାହାଡ଼ୀ କୁଟୀରୁ

ଶିରେ ବହି କାଠଗୋଛା,

ସଉରୁଣୀ ସୀମନ୍ତିନୀ ପରିପୁଷ୍ଟ ଉଦ୍‌ଗତଯୌବନା

ଡାଲିଆ ଜୁଡ଼ାରେ ଖୋସି ଫୁଲ

ଅଧରେ ଖେଳାଇ ହାସ ସୁନ୍ଦର ଉତ୍‌ଫୁଲ୍ଲ

ଯାଉଛନ୍ତି କେଉଁ ଗାଆଁ

ମନତଳେ ବେପରୁଆ ଭାବରେ କି ଛାୟା !

 

ଦାରିଦ୍ର୍ୟ ଅଭାବ ଦୁଃଖ ପାରିନାହିଁ କରି ତାଙ୍କୁ ପଙ୍ଗୁ ପଦାନତ,

ଜୀବନ ସରଳସ୍ୱଚ୍ଛ ଶ୍ରମ ପରାୟଣ ହେଲେ

କାଟି ଚାଲେ ଆପଣାର ସ୍ୱର୍ଣ୍ଣ ରାଜପଥ !

ଚାହିଁ ରହେ ଏମାନଙ୍କୁ ମୁହିଁ

ନିସର୍ଗ ସୁନ୍ଦର ପ୍ରାଣ, ଏମାନଙ୍କ ପରି ଆମେ ସବୁ କେଉଁ-

ଅତଳ ଜଳଧିଗର୍ଭେ ଦେଇଚୁ ହଜାଇ !

 

ଲାଞ୍ଚ ମିଛ ଅନ୍ୟାୟ ଅଧର୍ମ ଅକ୍ରିୟା ଅନୀତି ଭିତରେ ବଞ୍ଚି

ବଡ଼ ହେବାଠାରୁ-

ଦାରିଦ୍ର୍ୟ କୋଳରେ ବଢ଼ି,

ସାଧୁ ସନ୍ଥ ସତ୍ୟସନ୍ଧ ହେବାରେ ଯେ ଗୌରବ,

ତାହା ସୂର୍ଯ୍ୟପରି, ସବୁବେଳେ ସଜୀବ ସୁନ୍ଦର ଦୀପ୍ତିମାନ୍‌ ।

ଆମେ ସବୁ କେଉଁ ଅନ୍ଧାର ଭିତରେ ରହି ଚିରଦିନ,

ଆଣୁଚୁ ଆମର ଅବସାନ !

 

ପ୍ରକୃତିର ଏଇ ଅନନ୍ତ ସାମ୍ରାଜ୍ୟ ଭିତରେ

ମୁକ୍ତଚାରୀ ବିହଗର କଳକଣ୍ଠ ପରି

ମୋ ଅନ୍ତର-ଅଭ୍ୟନ୍ତରୁ ଆନନ୍ଦ ଅମୃତଭରା-

                        ସଂଗୀତର ମୋହନ ମୂର୍ଚ୍ଛନା

ଆପେ ଆପେ ପଡ଼ୁଅଛି ଝରି !

 

ବନ୍ଧୁ ମୋର ! ସଖା ମୋର ! ପ୍ରିୟ ମୋର !

ମୁଁ ତୁମଠୁ ବିଯୁକ୍ତ ହୋଇ

ବିଯୁକ୍ତ ହୋଇ ପ୍ରକୃତିର

ଏଇ ଲିଳାମୟ ଅମୃତ ପୁରୀରୁ,

 

ଯିବି କେଉଁ ଦେଶ

-ଯହିଁ ପ୍ରାଣର ଉନ୍ମେଷ

ଫୁଟିବା ବଡ଼ କଷ୍ଟକର;

 

ଅନନ୍ତ ବିଶ୍ୱର ଏଇ ଶ୍ୟାମାୟମାନ ପ୍ରକୃତି-

ବିଲ, ବଣ, ଗଛ, ଲଟା, ପାହାଡ଼, ପ୍ରାନ୍ତର,

ନଦ ନଦୀ, ଆକାଶ, ଭୂଧର,

ପଶୁ ପକ୍ଷୀ, ପୁରପଲ୍ଲୀ ସରଳ ଉଦାର ଶତ ଜନପ୍ରାଣୀ

 

ସକଳର ଅନନ୍ତ ଅମୃତ କୋଳେ

ମତେ ନିମଜ୍ଜନ କର !

ଅନନ୍ତ ପ୍ରସାରେ ମୁହିଁ ହୁଏ ବଳୀୟାନ,

ନରକ ଭିତରେ ବଢ଼ି ରାଜଭୋଗ କରିବାରେ

କାହିଁ ଛି ସମ୍ମାନ !!

 

ପ୍ରଣାମ

-୧-

କା କୋଳ ସଙ୍ଖାଳି ଗୋଟିକ ଗୋଟି ତମେ

      ବଢ଼ିଚ କେଉଁ ଥାନେ କିଏ ସେ କେଉଁ ଭଳି !

କା’ ବୁକୁତଳୁ କେତେ ସୁନେଲି କଳ୍ପନା

      ଏ ମାଟି ପରେ ଦିନେ ପଡ଼ିବନି କି ଝରି ?

ଅଭାବ ବେଦନାର କଠୋର କଷାଘାତେ

      ସାଧନା କରି କିଏ ଚାଲିଚ ଦିବାରାତେ

କିଏ ସେ କାନ୍ଦିଚ ଗଭୀର ହୀନିମାନେ

      ହୃଦୟ ବ୍ୟଥାଟିକ ହୃଦୟେ ଚାପି ଧରି

କା’କୋଳ ସଙ୍ଖାଳି ଗୋଟିକି ଗୋଟି ତମେ

      ବଢ଼ିଚ କେଉଁ ଥାନେ କିଏ ସେ କେଉଁଭଳି ।

 

-୨-

ତୁମରି ଭିତରୁ କେ ଉପାସ ରହିଥିବ

      ନ ଥିବ ମିଳି ମୁଠେ ସେ କେଉଁ ଦିନ କାହିଁ

ଭାଗ୍ୟ ଆଦରି କେ ବେଦନା ସହିଥିବ

      ସେ କେଉଁ ପଲ୍ଲୀର ମୋ ଗୋଟି ଗୋଟି ଭାଇ !

ଏକାଠି ଆଜି ତୁମେ ହୋଇଛ ଏଥି ଠୁଳ

      ସେ କେଉଁ ସରସର ପାରିଜାତକ ଫୁଲ !

ତୁମରି ଅନ୍ତରୁ ବଳି କେ ବଡ଼ ବୋଲି

      ମୋ ବେନି ନୟନେ କେ ଟିକିଏ ଦିଶୁନାଇଁ,

ତୁମରି ଭିତରୁ କେ ଉପାସ ରହିଥିବ

      ନ ଥିବ ମିଳି ମୁଠେ ସେ କେଉଁଦିନ କାହିଁ !

 

-୩-

ବଢ଼ିନ କେହି ତୁମେ ଧନ ଓ ଦଉଲତେ

      କନକ ହର୍ମ୍ୟରେ ରହିନ ତୁମେ କେହି;

ଭଂଗା କୁଡ଼ିଆର ନିଧନ ସଙ୍ଖାଳି !

      ଆସିଚ ଅଶ୍ରୁରେ ଜୀବନ ଗଢ଼ି ନେଇ !

ପିନ୍ଧି ନାହିଁ କିଏ କୁରୁତାଟିଏ ଭଲ

      ସାତଠା ସିଆଁ ଲୁଗା କା’ପ୍ରିୟ ସମ୍ବଳ,

ଧରଣୀ ଦୃଷ୍ଟିର ଅନ୍ତରାଳେ ତୁମେ

      ରହିଚ ନିଜ ନିଜ ଦୁଃଖଟିମାନ ନେଇ !

ବଢ଼ିନ କେହି ତୁମେ ଧନ ଓ ଦଉଲତେ

      କନକ ହର୍ମ୍ୟରେ ରହିନ ତୁମେ କେହି;

 

-୪-

ତୁମରି ବୁକୁତଳେ ରହିଚି ଏ ମାଟିର

      ଅମର ସମ୍ପଦ ଅୟୂତ ବଇଭବ;

ତୁମରି ଶୋଣିତର ସକଳ ବିନ୍ଦୁରେ

      କରିବ ଏ ମାଟିକୁ ଗଭୀର ଅନୁଭବ !

ବକ୍ଷ ଭରି ତୁମେ ସେନେହ ଦେବ ଢାଳି

      ଦୁଃଖ କାର ନାହିଁ ପାରିବ ସମ୍ଭାଳି,

ଅସୀମ ଦୁଃଖରୁ ଜନମି ଅଛି ଯିଏ

      ପାରିବା ସବୁ ଦେଇ ତା’ ପାଖେ ସମ୍ଭବ

ତୁମରି ବୁକୁତଳେ ରହିଚି ଏ ମାଟିର

      ଅମର ସମ୍ପଦ ଅୟୂତ ବଇଭବ,

 

-୫-

ବିରାଟ ପାରାବାର ତୁମରି ଅନ୍ତର

      ଊର୍ମି ନାଚି ଯିବ ନିୟତ କେତେ ଭଳି !

ବିରାଟ ବସୁଧାର ଅସୀମ କ୍ଷୁଧା ତମେ

      ପାରିବ ଘୁଞ୍ଚାଇ ଜୀବନ ଦେଇ ବଳି !

ଦିଶୁଚ ତୁମେ କେଡ଼େ ସରଳ ସୁମହତ

      ଜୀବନ ମହକରେ ପୂରିବ ତୁମ ପଥ;

ଫୁଟିବ ଓଠେ ତୁମ ମୁଗ୍‌ଧ ମଧୁ ହାସ

      ଖେଳାଇ ଦିଶି ଦିଶି ଅସୀମ ତାର ଝଳି,

ବିରାଟ ପାରାବାର ତୁମରି ଅନ୍ତର

      ଊର୍ମି ନାଚି ଯିବ ନିୟତ କେତେ ଭଳି !

 

 

ଭୀଷଣ ଗରଜନେ ତୋଫାନ ବୋହିଗଲେ

      ଆଡ଼େଇ ଦବ ତମେ ସିଂହ ପରି ରହି,

ତୁମରି ଭିତରେ ଯେ ମଣିଷ ଲୀଳା କରେ

      ଏ ମହାଧରୀଣୀର ମଧୁ ସେ ଅଛି ବହି ।

ପ୍ରଣାମ କରେ ମୁହିଁ ତୁମରେ ଚାହିଁ ଚାହିଁ

      ଜାଗିବ ତୁମେ ଆଜି ଏ ମହା ଜାତିପାଇଁ,

ତ୍ୟାଗର ବୀଣା ତାନ ବାଜିବ ତୁମରିଠୁ

      ସବୁରୀ କାନେ କିବା ଅମର ବାଣୀ କହି !

ଭୀଷଣ ଗରଜନେ ତୋଫାନ ବହିଗଲେ

      ଆଡ଼େଇ ଦେବ ତୁମେ ସିଂହପରି ରହି ।

 

ରହିଥାଉ

କେତୋଟି ଦିନରେ କିଏ କାହିଁ କେତେ

ହୋଇଗଲ ମୋର ପ୍ରିୟଜନ ପରିଜନ,

କେତୋଟି ଦିନରେ ସେନେହ ମମତା

ଘନାଇ ଆସିଲା ଦିନୁଦିନ ଅନୁପମ !

 

କେତୋଟି ଦିନରେ ଚାରିଆଡ଼େ ଯେବେ

ସନ୍ଧ୍ୟା ସକାଳେ ଆସିଲି ମୁଁ ବୁଲିଚାଲି

ଦେଖିଲି ମୁଁ କେତେ ବନ ପ୍ରାନ୍ତର

ନଈ ଝରଣାର କଳତାନ ଶୋହାଶିରୀ ।

 

ଶୁଣିଲି ମୁଁ କେତେ ମୋହନ କାକଳି

ଏ ବନ ବିପିନେ ନିତି ଲୀଳା କରିବାର,

କେତୋଟି ଦିନରେ ସକଳକୁ ମୁହିଁ

ଆପଣାର କରି ପିଇଲି କି ସୁଧାଧାର !

 

କାଲି ଯିଏ ଥିଲା ଅଜଣା ଅଶୁଣା

ଚାହୁଁ ମୁଁ ନ ଥିଲି ଯାହାରେ ନୟନ ଟେକି

Unknown

ଆଜି ସିଏ ମୋର ବୁକୁ ତଳେ ତଳେ

କି ମୋହନ ଗାର ଯାଇନି ସରାଗେ ଲେଖି !

 

କାଲି ମୁଁ ଯାହାଠୁ ଛିନ୍ନ ହେଲେ ବି

କିଛି ମୋ ପରାଣେ ପରଶୁ ନ ଥିଲା ତିଳେ,

ମୁହୂର୍ତ୍ତେ ଆଜି ନ ଦେଖିଲେ ତାରେ

କିଛି ମୋର ସୁଖ ଲାଗେ ନାଇଁ ଅବନୀରେ ।

 

କାଲି ମୁଁ ଯାହାରେ ଖୋଜୁ ବି ନ ଥିଲି,

ଆଜି ମୁଁ ତାହାରେ ଖୋଜୁଛି ପରାଣ ଭରି

ଜୀବନର ମଧୁ ସମ୍ପଦଟିକ

ଅରପିବା ଲାଗି ଯାଉଚି ପାଗଳ ପରି !

 

ପାଦ ଯହିଁ କାଲି ନ ଥିଲି ପକାଇ,

ସେଇ ଭୂଇଁ ଆଜି ଲାଗେ କେତେ ପ୍ରିୟତମ,

ଲବେ ଆଢ଼ୁଆଳ ହେଲେ ସେ ଭୂଇଁରୁ

ମନେହୁଏ କିବା ହରାଇଚି କି ରତନ !

 

ଅଜଣା ଅଶୁଣା ଅପରିଚିତରେ

ପରିଚିତ ହୋଇ ଶତ ମଧୁ ସନମାନେ,

କି ଶିରୀ-ବିଭବ ତୋଳି ମୁଁ ନଉଚି

ନିତି ଦିନ ଏଥି ଅନୁଭବି ପ୍ରାଣେ ପ୍ରାଣେ ।

 

ଅଦେଖାରେ ମୋର କିଏ କାହିଁ ଅଛ

ଯୁବା ଯଉବନୀ ବାଳକ ବାଳିକାଦଳ,

ଅଛ କିଏ କାହିଁ ଥବିର-ପ୍ରଉଢ଼-

କେତେ ଅନୁଭୂତି ପରଶେ ମୋହନତର !

 

କେତେ ଗିରି ବନ ସାଗର ସିକତା

ବିଜନ ବିପିନ ନଈ ହ୍ରଦ ସରୋବର,

କେଉଁଠି ବିସାରି ବିମୋହନ ଶିରୀ

ଲୀଳା ଚଞ୍ଚଳ କରୁଚ ଧରଣୀତଳ !

 

କି ମଧୁ ଧିଆନେ ସକଳରେ ମୁହିଁ

ବିଜନ କୁଟୀର ଚାହିଁଚ ସୋହାଗଭରେ

ଫୁଟି ଫୁଟି ଆସ ପୀୟୂଷେ ପଖାଳି

ମତେ, ମୋ ଭିତରୁ କାଳିମା ତୁଟାଇ ଖରେ ।

 

ଓଠେ ମୋର ଦିଅ ବିମୋହନ ହାସ

ନୟନେ ଦିଅ ମୋ ସପନ ଚାହାଣୀ ଭରି,

ତୁମରି ଅସୀମ ବାସନା ବିଳାସେ

ମୋ ଜୀବନ ଦୀପ ଦପ ଦପ ଉଠୁ ଜଳି !

 

ହୋଇଯାଉ ଶେଷେ, ମୋ ଶେଷ ସମାଧି

ତୁମରି ବିଶାଳ ମୋହନ ପରଶ ଲଭି,

ତୁମରି ଭିତରେ ମୋର ଅବଶେଷ

ରହିଥାଉ ହୋଇ ଗୋଟିଏ ଗରିବ କବି !

 

ପଲ୍ଲୀ-ବରଷା

କଜଳ କଳାମେଘ ଆକାଶେ ବୁଲିଯାଏ,

ବରଷା ପଡ଼େ ନଭୁ ଝରି ଗୋ !

ବିଜୁଳି ମାରିଦିଏ ଶଇଳ ଚୂଳେ ଚୂଳେ

ଅବନୀ ଉଜ୍ଜ୍ୱଳ କରି ଗୋ !

ଶ୍ୟାମଳ ଧାନ କ୍ଷେତ

ଉଡ଼ାଏ ନୀଳ ନେତ;

ନାଉରୀ ଗୀତ ଗାଇ ନଈରେ ବାହିନିଏ

ଉଦାସ ମନେ ନିଜ ତରୀ ଗୋ !

କଜଳ-କଳାମେଘ ଆକାଶେ ବୁଲିଯାଏ

ବରଷା ପଡ଼େ ନଭୁ ଝରି ଗୋ !

 

ଶ୍ୟାମଳ ବନଭୂଇଁ ଦୁରରୁ ଦିଶେ ନାଇଁ

ପଡ଼ଇ ଟୋପା ପିଇଁ ପିଇଁ ଗୋ

ଫେରଇ ଚଷାପିଲା ଗୀତଟି ଗାଇ, ଗାଇ,

ମଥାରେ ଠେକାଟିଏ ନିହି ଗୋ !

ଗୋଧନପଲ ଧରି

ଗଉଡ଼ ଆସେ ଚଳି,

ଭୋକ ଯେ ଲାଗିବଣି ସଞ୍ଜ ହେଲା ଆସି,

କିଛିତ ନାଇଁ ଖାଇ ପିଇ ଗୋ !

ଶ୍ୟାମଳ ବନଭୂଇଁ ଦୁରରୁ ଦିଶେ ନାଇଁ

ପଡ଼ଇ ଟୋପା ପିଇଁ ପିଇଁ ଗୋ !

 

ଅସରା ଅସରା ଯେ ବରଷା ଝରିପଡ଼େ

ମୁହଁକୁ ନ ଦିଶଇ ମୁହଁ ଗୋ !

ନିବିଡ଼ ଅନ୍ଧାର ନିଖିଳ ଚରାଚର

ପଥରେ ଚାଲେ ପାଣି ସୁଅ ଗୋ !

ଶୁଭଇ ଭେକ ଡାକ

ପଥରେ ଲୋକବାକ-

ଗୋଟିଏ ଦେଖା ନାଇଁ, ଗୃହେ କେ ବସି କାହିଁ

ମେଲିଚି ଚଉପଦୀ ସୁଅ ଗୋ !

ଅସରା ଅସରା ଯେ ବରଷା ଝରିପଡ଼େ

ମୁହଁକୁ ନ ଦିଶଇ ମୁହଁ ଗୋ !

 

ଗାଆଁରେ ଯେତେ ଯହିଁ ପୋଖରୀ ନାଳ ନଈ

ବରଷାଜଳେ ଭରପୂର ଗୋ !

ପାଦପ ଲତା ଶିରେ ବରଷା ଟୋପା ଛିଡ଼େ

ଶୁଭଇ ଟପ ଟପ ସୁର ଗୋ !

କୁଟୀରେ କିଏ କାହିଁ

ଦେଲେଣି ଭାତ ଖାଇ,

ବୋଉ କା‘ ଉଠାଏ ତା’ ଅଝଟ ପୁଅଟିରେ

ଶୋଇଚି ହେଉ ବେଳବୁଡ଼ ଗୋ !

ଗାଆଁର ଯେତେ ଯହିଁ ପୋଖରୀ ନାଳ ନଈ

ବରଷା ଜଳେ ଭରପୂର ଗୋ ।

 

ପହିଲି ପାଳି ହୋଇ, ବୋହୂ କେ ଆସିଚଇଁ,

ଶାଶୁର ପାଦ ଦିଏ ଘଷି ଗୋ,

ପରାଣ-ପ୍ରିୟ ତା’ର ଅନିଦେ ବହୁବାର

ଶେଯରେ ଅଛି ଚାହିଁ ବସି ଗୋ !

ଶୁଭିଲେ ପାଦବଳା,

ଦୁଆର ଆଡ଼ପେଲା,

ବୁକୁରେ ବିଦ୍ୟୁତ୍‌ ହୁଅଇ ସଂଜାତ;

ଆସିବେ ପ୍ରିୟା ହସି ହସି ଗୋ !

ପହିଲି ପାଳି ହୋଇ ବୋହୂ କେ ଆସିଚଇଁ

ଶାଶୁର ପାଦ ଦିଏ ଘଷି ଗୋ ।

 

ଗରିବ ବିଧବାର ଉଡ଼ିଛି ଘର ଚାଳ

ଟୋପାକୁ ଟୋପା ପାଣି ଗଳେ ଗୋ ।

ସାତଠା ବସି ଉଠି, ନ ଯାଏ ଜାଳା ତୁଟି,

ସେ କେଉଁ କୋଣ ଯାକି ପଡ଼େ ଗୋ ।

କାନିରୁ ଅଧେ ଓଦା,

ଶୀତରେ ପାଏ ବାଧା,

ଆଖିରୁ ବୋହେ ଲୁହ, ଯେବେ ତା ପତି ପୁଅ

ଥରକୁ ଥର ମନେ ପଡ଼େ ଗୋ ।

ଗରିବ ବିଧବାର ଉଡ଼ିଛି ଘର ଚାଳ

ଟୋପାକୁ ଟୋପା ପାଣି ଗଳେ ଗୋ ।

 

ଭିକାରୀ ପିଲା ଜଣେ, ଯାଇଚି ଦୁର ଗ୍ରାମେ,

ଆଣିବାପାଇଁ ଭିକ ମାଗି ଗୋ ।

ଏ ଝଡ଼ି ବରଷାରେ ଆସିନି ପାରି ଘରେ,

ବୋଉ ତା’ ଘରେ ଅଛି ଜାଗି ଗୋ

ବିଥେଇ ହୁଏ ମନ,

କିଭଳି ମୋର ଧନ

କେଉଁଠି ଥିବ ରହି ବରଷା ମାଡ଼ ଖାଇ

ଆକୁଳ ହୁଏ ତାହା ଲାଗି ଗୋ !

ଭିକାରୀ ପିଲା ଜଣେ, ଯାଇଚି ଦୂର ଗ୍ରାମେ

ଆଣିବାପାଇଁ ଭିକ ମାଗି ଗୋ !

 

ଅପେକ୍ଷା ଓ ଉପେକ୍ଷା

ଆସି କିମ୍ପା ଯାଉଅଛ ଫେରି ?

ଦେଇ କିମ୍ପା ଦେଉ ନାହିଁ ?

ଏ ଦରିଦ୍ର ଜୀବନର ଯେଟିକ ଇପିସ୍‌ତ

ବୁଝି କିମ୍ପା ବୁଝୁନାହଁ ?

ମରମର ଯେତେ ଯାହା ଜାଳା ଓ ଯନ୍ତ୍ରଣା

ଚାହିଁ କିମ୍ପା ଚାହୁଁ ନାହଁ ?

ଦେଉଚ ଆଡ଼େଇ ଯେହ୍ନେ ମୁଁ ଅପରିଚିତ,

 

ଜୀବନର ବହୁଦିନୁ ଆଜିଯାଏଁ

ସୀମାହୀନ ଜଞ୍ଜାଳ ଓ ଯାତନାର-

ଅବରୁଦ୍ଧ ବେଷ୍ଟନୀ ଭିତରେ

ତୁମରେ ଦେଇଚି ମୋର

ଅନ୍ତରର ସବୁ ଅର୍ଘ୍ୟ ଢାଲି,

ଆପଣା ଶୋଣିତୁ ବଳି

କେତେ ଭଲ ପାପ ଅବିରଳେ !

 

ଯେତେ ଯାହା ବାଧା ବିଘ୍ନ,

ଯେତେ ଯାହା ଦୁଃଖ ଗ୍ଲାନି,

ଅଭାବର ନଗ୍ନ ବିଭୀଷିକା,

ଯେତେ ଯାହା ଲାଞ୍ଛନା, ତାଡ଼ନା,

ସମସ୍ତ ଭିତରେ ମୁହିଁ

ନିୟତ ସନ୍ତୁଳି ହୋଇ,

କରୁଚି ମୁଁ ଉପାସନା ତବ

ତୁମେ କିପାଁ ମୋହ ପାଇଁ

ରହିଚ ନୀରବ ?

 

ଲୁହରେ ଦେଖିଚି ମୁହିଁ

ତୁମରି ସପନ

ବିପନ୍ନ ମୁହୂର୍ତ୍ତେ ମୁହିଁ

ଅନୁଭବ ଅଛି

ତୁମରେ ନିବିଡ଼ କରି

ଦିନ ଦିନ ଧରି,

ସୁଖ ସମ୍ପଦର କୋଳେ,

ଢଳିବାର ବେଳେ;

ତୁମରି ବିହୁନେ ମତେ

ଭଲଲାଗେ ନାହିଁ କିଛି ହେଲେ

ସବୁ ମୁହୂର୍ତ୍ତରେ ମୋର

ତୁମେ ମୋର ସାଥୀ ସହଚରୀ

ତୁମେ ଯେ, ମୋରେ ଦେଇଚ ଆଡ଼େଇ

କହ କେଉଁଭଳି ?

 

ବକ୍ଷ କାଟି ସମସ୍ତ ମମତା ଦେଲି

ଦେଲି ମୋର

ଶୋଣିତର ପ୍ରତିବିନ୍ଦୁଟିକ

ତଥାପି ମୁଁ ଦିଶିଲିନି

ଟିକିଏ ଅଧିକ !

ଜନ୍ମଜନ୍ମାନ୍ତର ଧରି

ଜାଗ୍ରତ ମୁଁ ଉତ୍‌ଥିତ ମୁଁ

ଦେବା ପାଇଁ ମୋ ସମସ୍ତଟିକ,

ତୁମ ସ୍ୱର୍ଣ୍ଣ ପଦ ପ୍ରାନ୍ତେ ଢାଳି,

ତଥାପି ତ ଦେଲ ନାଇଁ

ସୁଧା ଆଲିଙ୍ଗନ !

ତଥାପିତ କଲନାଇଁ

ହୃଦୟର ଏକାନ୍ତ ସଙ୍ଖାଳି !

 

ତୁମ ପାଇଁ ହେଲି ତ୍ୟାଗୀ

ହେଲି ମୁହିଁ ଉନ୍ମନ ପାଗଳ,

ତୁମପାଇଁ ଯେତେ ଯାହା ଉପଭୋଗ୍ୟ

ପୃଥିବୀ ନୟନେ ଯେତେ ଯାହା

ମଧୁର ସୁନ୍ଦର

ଗୋଟି ଗୋଟି କରି

ଛାଡ଼ିଦେଲି ନିରନ୍ତର ।

ସହିଲି ସମସ୍ତ ଧକ୍‌କା,

ସବୁଆଡ଼େ ଆଖିପାତି,

ତୁମରେ ମୁଁ କଲି ମୋର

ଏକାନ୍ତ ନିର୍ଭର,

ତୁମେ କିମ୍ପା ଚାହିଁଲନି ?

ଫିଙ୍ଗି ଦେଲ ପର କରି

ଦୂରଦୂରାନ୍ତର ।

ତୁମେ ମୋରେ ଫିଙ୍ଗି ଦେଲେ

ମୁଁ ତୁମରେ ଚାହୁଁଅଛି ଫେରି,

ତୁମେ ମୋରେ ନ ଲୋଡ଼ିଲେ

ମୁଁ ଲୋଡ଼ୁଚି କିଆଁ ଏତେଭଳି ?

ତୁମେ ମୋରେ ନାଇଁ ଦେଲେ

ବକ୍ଷଭରି ଅମୃତ ସମ୍ଭାର

ମୁଁ କିମ୍ପା ମାଗୁଚି କହ

କରପୁଟ ପାତି ବାର ବାର ?

ତୁମେ ମୋରେ ନ ପାରିଲେ ଦେଖି

ମୁହିଁ କିମ୍ପା ଏତେ ଦେଖିପାରେ ?

ତୁମେ ମତେ

ନିଠୁର ନିରାଶ କଲେ

ମୁଁ କିମ୍ପା ଆଶାୟୀ ହୋଇ,

ତୁମରି କରୁଣା ମାଗେ ନିଖିଳ ସଂସାରେ !

 

ଏ ଜୀବନ ପଥ ପରେ,

ତୁମେ ତ ଫୁଟିବ ଦିନେ,

ଗୋଲାପର ରକ୍ତ କଳି ସମ,

ବୋଳି ଦେବ

ରୂପ ରସ ଗନ୍ଧ ଅନୁପମ

ବେଦନାର ତପ୍ତ ଅଶ୍ରୁ

ଯେତେ ଅଛି ଢାଳି,

ସମସ୍ତର ଦିନେ ହେବ ଅବସାନ,

ବସନ୍ତର ବନକୁଞ୍ଜ ସମ

ସୀମାହୀନ ଆନନ୍ଦର ଶୋହା

ଦେବ ଗୋ ଅଜାଡ଼ି

ଏ ଅନ୍ତର ପ୍ରତି ରକ୍ତକୋଷେ

ତୁମେ ଦିନେ ଉଠିବ ସଞ୍ଚରି

ଦେବ, ଯାହା ମାଗି ଅଛି

ଅବା ମାଗିନାଇଁ,

ମୋର ମନଭରି ।

ମତେ ଯେତେ ତୁଚ୍ଛ କରି

ହେୟ କରି,

ପଚାରୁନ ତମେ,

ସୀମାହୀନ ଅନୁରାଗ ଢାଳି

ଛାଡ଼ି ପାରିବନି କ୍ଷଣେ ।

ମୁଁ ତୁମଠୁ ଦୂର ହେଲେ

ମୋରେ ଲୋଡ଼ିନବ ବାର ବାର

ମୁଁ ଦିନେ ତୁମରି ହେବି,

ହୃଦୟର ଏକାନ୍ତ ସମ୍ଭାର !

 

ସବୁ ନିଷ୍ଠୁରତା, ସବୁ ଅବହେଳା ପରେ

ତଥାପି ଏ ଆଶା ଓ ବିଶ୍ୱାସ

ଜଳେ ମୋର ଅନ୍ତରେ ଅନ୍ତରେ;

ସମସ୍ତ ଝଡ଼

ଆଉ ପ୍ରଳୟର ବତାଶ ଭିତରେ

ଦୀପ ଜାଳି ଚାହିଁଚି ମୁଁ

ନିଭି କିନ୍ତୁ ଯାଇନାଇଁ ଥରେ !

ଜଳିବି ଜଳିବି ମୁହିଁ

ଆହୁରି ଜଳିବି,

ଶିଖା ଟେକି ଜଳିବି ମୁଁ

ମୋ ଆଲୋକ ତେଜ

ଫୁଟାଇ ଫୁଟାଇ,

ଏ ପୃଥିବୀ ପରେ ନିରନ୍ତର

ଆହୁରି ମୁଁ ହେବି ଅଗ୍ରସର ।

ଦେଖିବି କିଭଳି ତମେ

ଆସିବିନି ପାଶେ ମମ

ବୁଝିବନି ଅନ୍ତରର କଥା

ଦେଖିବି କିଭଳି ତୁମେ

ହାଣୁଥିବ ବକ୍ଷେ ମୋର

ଚିର ଦିନ ବ୍ୟଥା ।

 

ସରିନାଇଁ ମୋର ଯାତ୍ରାପଥ

ଅସୀମ ପଥର ମୁଁ ଯେ

ଯାତ୍ରୀ ଚିରନ୍ତନ,

ବହୁତ ଆସିଚି ସହି

ଆହୁରି ବି ସହିବାକୁ ଅଛି

ଚାଲିଚି ମୁଁ ବକ୍ଷେ ବହି

ବିରାଟ ବିକ୍ରମ ।

ଏ ଜୀବନ ଏଡ଼େ ବଡ଼ ନୁହେ

ବଡ଼ ଖାଲି ରହିବାର ଚାହିଁ

ଅନନ୍ତ ସମୟ ପାଇଁ !

ତୁମେ ମୋରେ ଦେଖା-

ନାଇଁ ଦେବାଯାଏ

ଯାତ୍ରା ମୋର ହେବନାଇଁ ଶେଷ

ତୁମେ ମୋରେ ନିଜରୁ ନିଜର କରି

ବକ୍ଷେ ତୋଳି ନାଇଁ ନେବାଯାଏଁ,

ହେବି ନାଇଁ

ମୁଁ କେବେ ନିଃଶେଷ !

ରହିଥିବି ହୋଇ ମୁହିଁ

ଅରକ୍ଷ କାଙ୍ଗାଳ !

ତଥାପି ମୁଁ ଚାଲିଥିବି

ପାହାଡ଼ ପ୍ରାନ୍ତର କାଟି,

ଚାଲିବାରେ ରହିଚି ଏ ଜୀବନର

ଅନନ୍ତ ସମ୍ଭାର !

 

 

ସୀମାନ୍ତ ବାସିନୀ

ସୀମାନ୍ତ ବାସିନୀ ତୁମେ ଆନ୍ଧ୍ର ଓଡ଼ିଶାର

ତୁମରି କିଶୋରୀ କଣ୍ଠୁ ଓଡ଼ିଆ ଭାଷାର-

 

ଯେ ମୋହନ ବଇଭବ ଝରି ଝରି ପଡ଼େ

ମୁଗ୍‌ଧ ହୋଇ ଶୁଣୁଚି ମୁଁ ଅମୃତ କି ଏଡ଼େ-

 

ମିଠା ହେବ ଧରଣୀରେ ? କିଏ କହେ ତମେ

ମୋ ଭାଷାରେ ଅନଭିଜ୍ଞା ? ତୁମରି ବଚନେ,

 

ଭାଷା ମୋର କବିତାର କଳ ତାନ ପରି

ରୋମାଞ୍ଚ ଜଗାଏ ପ୍ରାଣେ; ତୁମେ ବାଗ୍ମୀଶ୍ୱରୀ

 

ଏ ବଣ ପାହାଡ଼ ଘେରା ପୁର ପଲ୍ଲୀମାଳେ

ଜୀବନ୍ତୁ ଜୀବନ୍ତ କରି ମୋହରି ଭାଷାରେ-

 

ରଖିଅଛି ଯୁଗ ଯୁଗ କାଳ କାଳ ଧରି;

ମୃତ ଓ ମୁମୂର୍ଷ ଅବା ବିକଳାଙ୍ଗ କରି-

 

ରଖିବାକୁ ଦେଇ ନାହଁ, ଭାଷା ଆପଣାର

ବଞ୍ଚିଲେ ବଞ୍ଚିବ ଜାତି ଶୋଣିତର ଧାର !

 

କେଉଁ ପଥେ

ଯା’ ଲାଗି ଆଖିରେ ମୋ ପଲକ ନାଇଁ ପଡ଼େ

ଯା’ ଲାଗି ଝୁରି ଝୁରି ଜୀବନ ନାଇଁ ସରେ !

 

ଯା’ ଲାଗି ପାଗଳିନୀ ପରି ମୁଁ ଘୁରି ବୁଲେ

ଯା’ ଲାଗି ଭୋକ ଶୋଷ ବାଧେନି ମୋରେ ତିଳେ,

 

ଯା’ ଲାଗି ହୃଦବେଦୀ ଶୂନ୍ୟ ଅଛି ପଡ଼ି

ଯା’ ଲାଗି ଫୁଲ ଫୁଟି ପଡ଼ିନି ତଳେ ଝରି,

 

ଯା’ ଲାଗି ଏ ଜୀବନ ଲାଗିନି ଦୁର୍ବହ

ଯା’ ଲାଗି ସହିଚି ମୁଁ ବେଦନା ଦୁଃସହ !

ଯା’ ଲାଗି ବଞ୍ଚିଛି ଅସୀମ କାଳ ଧରି,

ଟିକି-ଏ ହେବାଲାଗି ପରାଣ ସହଚରୀ,

 

ଯା’ ଲାଗି ପ୍ରସ୍ତୁତ ମରିବା ଲାଗି ମୁହିଁ

ଯା’ ଲାଗି ସୁନ୍ଦର ମତେ ଆକାଶ ଭୂଇଁ,

 

ଯା’ ଲାଗି ହିଆ ମୋର ପୂର୍ଣ୍ଣ ହୋଇ ଉଠେ,

ଯା’ ଲାଗି ଯେତେ ଯାହା ଦୁଃଖ ସବୁ ତୁଟେ,

 

ଯା’ ଲାଗି ଜୀବନଟା ଜୀବନ ପରି ଲାଗେ,

ଯା’ ଲାଗି ଧରଣୀରେ ମୁଁ କିଛି ନାଇଁ ମାଗେ

 

ସେ ଯେବେ ନ ଆସିବ କ୍ଷଣିକ ପାଇଁ ହେଲେ

ହୃଦୟ ଖୋଲି କଥା କହିବ ନାଇଁ ମୋରେ

 

ଟିକିଏ ଆପଣାର କରିବ ନାଇଁ ମତେ

ଚାଲିବି ଧରଣୀରେ ମୁଁ ଆଉ କେଉଁ ପଥେ ?

 

ମାନବ ଦେବତା

ମର୍ତ୍ତ୍ୟେ ଥିଲ ଅବତରି ହେ ମହାମାନବ !

ମାନବରେ ଦେବା ପାଇଁ ମାନବର ବାଣୀ,

ଶତ ନିସ୍ପେଷଣେ ଯେବେ ଏ ମାଟିର ପ୍ରାଣ

ହେଉଥିଲା ଛିନ୍ନ ଭିନ୍ନ ନିଜ ଭାଗ୍ୟ ମାନି;

 

ଜାଳି ଦେଲ ଅଗ୍ନି ଶିଖା ସବୁରି ଅନ୍ତରେ;

ଜାଗିଲା ଜୀବନ କିବା ନବ ଶକ୍ତି ଧରି

ଭୀରୁତାର ଅନ୍ଧକାରୁ ଆଣିଲ ଜାତିକୁ

ସତ୍ୟ ସାହସର ପଥେ ଅବତୀର୍ଣ୍ଣ କରି ।

 

ଅନ୍ନବିନେ ବାସବିନେ ଯେବେ ଏ ଦେଶର

ମେରୁଦଣ୍ଡ ନାରଖାରେ ଯାଉଥିଲା ଭାଜି,

ମୂକ ପଶୁ ପରି ଥିଲା ଏ ଜାତିର ପ୍ରାଣ

ସାମ୍ରାଜ୍ୟବାଦୀର ସହି ଅତ୍ୟାଚାର ରାଜି,

 

ହିମାଦ୍ରିରୁ କୁମାରିକା ଯାଏଁ ଏ ଜାତିର

ରସନା ନ ଥିଲା କହି, ବଳିଷ୍ଠର ବାଣୀ

ମୁମୂର୍ଷ ଜାତିରେ ତମେ ବଞ୍ଚାଇଲ ପରା

ସିଞ୍ଚି କିବା ସତ୍ୟ ଅହିଂସାର ଫୁଲ ପାଣି !

 

ନିରନ୍ନ ପାଇଚି ଅନ୍ନ ଲାଞ୍ଛିତ ସମ୍ମାନ,

ଶତ ଜୀର୍ଣ୍ଣ କଙ୍କାଳରେ ଜାଗିଚି ଜୀବନ,

ଶୃଙ୍ଖଳ ହୋଇଛି ଛିନ୍ନ, ମୁକ୍ତି ସିଂହଦ୍ୱାରେ

ପହଞ୍ଚିଛି ଏ ଦଳିତ ଜାତିର ସ୍ୟନ୍ଦନ ।

 

ମଣିଷ ମଣିଷ ପରି ବଞ୍ଚିବାକୁ ପରା

ସମର୍ଥ ହୋଇଚି ଆଜି ତୁମରି ମାଟିରେ

ତୁମରି ବିରାଟ ସ୍ୱପ୍ନ ସତ୍ୟର ଆଲୋକେ

ଆଲୋକିତ, ଉଦ୍‌ଭାସିତ ହୋଇଚି ଅଚିରେ ।

 

ସାରାଟି ଜୀବନ ତୁମେ କରିଚ ସଂଗ୍ରାମ

ଅତ୍ୟାଚାର, ଅନାଚାର ପୀଡ଼ନ ପେଷଣ

ହିଂସା ହତ୍ୟା ଶଠତାର ଯେ ବୀଭତ୍ସଲୀଳା

ଭାଙ୍ଗିବାକୁ ଧରଣୀରେ ତାର ସିଂହାସନ;

 

ହେ ସ୍ୱର୍ଗର ଦେବଦୂତ ! ଆସିଥିଲ ତୁମେ

କରେ ଧରି ସରଗର ପ୍ରଦୀପ୍ତ ମସାଲ;

ସେ ମସାଲ ରଶ୍ମି ତେଜେ ଭାରତ ଆଲୋକ

ପୃଥିବୀ ଆଲୋକ, ଲୁପ୍ତ ସବୁ ଅନ୍ଧକାର !!

 

ସରି ତ ନ ଥିଲା ତୁମ ଜୀବନ ସାଧନା

ତପସ୍ୟାର ଉଦ୍‌ଯାପନ ନ ଥିଲା ତ ହୋଇ,

ବାଜୁଥିଲା ବକ୍ଷୁ ତବ ଯେ ଅମୃତ ବୀଣା

ବାଜୁଥାନ୍ତା କଳ୍ପନାର ଯାଦୁସ୍ପର୍ଶ ବୋହି !!

 

ମଣିଷ ଭିତରେ ଯେଉଁ ଘୋର ବର୍ବରତା

ତୁମ ବୀଣା ତାନେ ଆଉ ଯାଇ ଥାନ୍ତା ଦବି,

ବିରାଟ ଅନ୍ତର ତବ କାନ୍ଦୁଥିଲା ନିକି ?

ଭାରତର ବକ୍ଷେ ଦେଖି ନରକର ଛବି !

 

ସ୍ତବ୍‌ଧ ହୋଇ ଚାହେଁ ଆଜି ବନ କୁଞ୍ଜ ଲତା,

ସ୍ତବ୍‌ଧ ହୋଇ ଚାହେଁ ଆଜି ପାହାଡ଼ ପ୍ରାନ୍ତର,

ସ୍ତବ୍‌ଧ ହୋଇ ଚାହେଁ ଆଜି ଜଳଧି ତରଙ୍ଗ,

ସ୍ତବ୍‌ଧ ହୋଇ ଚାହେଁ ଆଜି ଶୁଦ୍ଧ ନୀଳାମ୍ବର ।

 

ସ୍ତବ୍‌ଧ ହୋଇ ଚାହେଁ ଆଜି ଦେଶ ଓ ବିଦେଶ,

ସ୍ତବ୍‌ଧ ହୋଇ ଚାହେଁ ଆଜି ସବୁରି ଅନ୍ତର

ସ୍ତବ୍‌ଧ ଆଜି ପୃଥିବୀର ପ୍ରତି ଧୂଳିକଣା

                  ଯାଇଚ ବାପୁଜି ଛାଡ଼ି ଖିଳ ଚରାଚର !!

 

ସତ୍ୟ ଏ କି ? ସ୍ୱପ୍ନ ଏ କି ପ୍ରଳାପର ବାଣୀ ?

ବିଶ୍ୱାସ ଆସୁନି ଲବେ କାହାରି ଅନ୍ତରେ

ପୃଥିବୀର ମେରୁଦଣ୍ଡ ସତେ ଭାଙ୍ଗିଗଲା

ବଞ୍ଚିବ କେମନ୍ତେ ପୃଥ୍ୱୀ ସଉର ମଣ୍ଡଳେ !

 

ଗଭୀର ଆତଙ୍କ ଛାୟା ମାଡ଼ିଆସେ ଆଜି

ପୃଥିବୀର ଅଗ୍ନିଶିଖା ନିଭିଗଲା ସତେ ?

ଘରେ ଘରେ କ୍ରନ୍ଦନର କି ଗଭୀର ରୋଳ

ପ୍ରତି ମଣିଷର ତୁମେ ଆପଣାର କେତେ !

 

ଭାରତର ପ୍ରତି ବକ୍ଷ ଲୋଡ଼ଇ ଆକୁଳେ

ହେ ସନ୍ନ୍ୟାସୀ ! ବ୍ରହ୍ମଚାରୀ ! ରହିଥାନ୍ତ ତମେ !

ସବୁରି ନୟନ ନିତି ଦେଖନ୍ତା ତୁମରେ

ଶୁଣନ୍ତା ତୁମରି ବାଣୀ ବିମୁଗ୍‌ଧ ଶ୍ରବଣେ !

 

ଭାରତର ପ୍ରତିବକ୍ଷ ଲୋଡ଼େ ଆଜି ଲୋଡ଼େ

ରହିଥାନ୍ତ ତୁମେ ତାର ଗଣ୍ଠିଧନ ପରି,

ଯେତେ ଯାହା ଭାରତର ବିପୁଳ ସମ୍ପଦ

ଦୁରନ୍ତ ସେ ମହାକାଳ ନେଇଥାନ୍ତା ହରି ।      

 

ରସାତଳେ ହେଲେ ପଛେ ଯାଇଥାନ୍ତା ମିଶି

ବିରାଟ ଏ ହିମାଦ୍ରିର ହିମ ଶୁଭ୍ର ମଥା,

ଜାହ୍ନବୀ ଯମୁନା ପଛେ ଯାଇଥାନ୍ତେ ଶୁଖି

ମହୋଦଧି ବହିଥାନ୍ତା ମରୁ ନୀରବତା,

 

ଅଜନ୍ତାର ଶିଳ୍ପଶିରୀ ଯାଇଥାନ୍ତା ମରି

ନିଭିଥାନ୍ତା ଭାରତରୁ ତାଜ ସ୍ୱପ୍ନ କଳା,

ତୁମେ ଥିଲେ ଭାରତର ପ୍ରତି ଭୂମି ଖଣ୍ଡ

ଲାଗୁଥାନ୍ତା ସରଗର ଆଶୀର୍ବାଦେ ଢଳା ।

 

ଯାଇଛ ତ ! ପୃଥିବୀର ହେ ଶହୀଦ ରାଜ !

ବକ୍ଷର ଶୋଣିତେ କରି ରଞ୍ଜିତ ଏ ମାଟି,

ପୃଥିବୀର ସ୍ତରେ ସ୍ତରେ ତୁମରି ହୃତପିଣ୍ଡ

ହେଉଥିବ ସ୍ପନ୍ଦିତ ହେ କାଳଦନ୍ତ କାଟି ।

 

ଦେଶେ ଦେଶେ ଗ୍ରାମେ ଗ୍ରାମେ ପୁରେ ପୁରେ ତମେ

ସବୁରି ଅନ୍ତରେ ଜଳୁଥିବ ନିରନ୍ତର

ମାନବ ଜାତିର ତୁମେ ମାନବ ଜାତିର

ଏକଇ ଅଖଣ୍ଡ ଦୀପ ସତ୍ୟ ଶୁଭଙ୍କର !!

 

ବଞ୍ଚିଚ ମାନବ ପାଇଁ ମରିଚ ମାନବ ପାଇଁ

ଗଢ଼ିଚ ମାନବପାଇଁ ସାଧନାର ସ୍ୱର୍ଣ୍ଣ ପୀରାମିଡ଼ ।

ତୁମରି ଉପରେ ଆଉ କେହି ନାହିଁ ହେବାପାଇଁ

ମାନବର ଅଦ୍ୱିତୀୟ ପ୍ରାଣ ଦାନୀ ବୀର !

 

ଯେ ବେଦ ପ୍ରଚାରି ଅଛ ଗମ୍ଭୀର ନିର୍ଘୋଷେ

ଦେଶ କାଳ ଜିଣି ତାର ଅନନ୍ତ ମହିମା,

କରୁଥିବ ପୃଥିବୀକୁ ଜୀବନ୍ତୁ ଜୀବନ୍ତ

ପୃଥିବୀ କପାଳୁ ପୋଛି ସମସ୍ତ କାଳିମା !

 

ସତ୍ୟ ପ୍ରେମ ଅହିଂସାର ଶାଶ୍ୱତ ତ୍ରିବେଣୀ

ରହିଲ ଏ ମଣିଷର ବୁକୁ ତଳେ ତଳେ,

ତୁମରି ପ୍ରାଣର ସେ ଯେ ସୁନ୍ଦର ମଣିଷ

ଫୁଟାଇବା ପାଇଁ ଯୁଗେ ଯୁଗେ ଧରା ପରେ ।

 

ବର୍ଷ ପରେ ବର୍ଷ କେତେ ବହିଯିବ ସତ

ସଭ୍ୟତାର ପରେ କେତେ ଆସିବ ସଭ୍ୟତା

କାଳର ଅନନ୍ତ ଗର୍ଭ ସଜୀବ ସୁନ୍ଦର

ଦିଶୁଥିବ ବକ୍ଷେ ବହି ତୁମରି ବାରତା !

 

ମର୍ତ୍ତ୍ୟର ମୋହ

ସାନ୍ଦ୍ର ବାଦଲ ମନ୍ଦ୍ରେ ଗରଜି ଆସୁଥିଲା ଯେବେ ବରଷି,

ଶୋଇଥିଲି ମୋର କୁଟୀର ତଳପେ କିଏ ସେ ମୋ ଦେହ ପରଶି,

ମୃଦୁ କର ଚାଳି ଭାଷି ମୃଦୁ ବାଣୀ,

ଗୋପନ ରାଇଜ କେଉଁ ରାଜରାଣୀ,

ଗୋପନେ ଗୋପନେ ଆସି ଠିଆ ହେଲା ସରାଗେ ମୋ ବୁକୁ ସରସି !

ଶୋଇଥିଲି ଯେବେ କୁଟୀର ତଳପେ କିଏ ସେ ମୋ ଦେହ ପରଶି...

 

ଯଉବନ ତନୁ ହସି ଉଠୁଥିଲା ସେ ତରୁଣୀ ବର ବଧୂର

ଓଠେ ଫୁଟୁଥିଲା କୋକନନ୍ଦ ଜିଣା ହାସ୍ୟ ମଞ୍ଜୁ ମଧୁର !

ମଙ୍ଗଳ ଦୀପ ପରି ଆଖି ଦୁଇ

ଯାଉଥିଲା ମୋରେ କି ଗଭୀର ଛୁଇଁ !

ଅସ୍ଫୁଟ ବାଣୀ ରସନାରୁ ତାର, ଲାଗୁଥିଲା କିବା ପ୍ରତିଧ୍ୱନି କେଉଁ ସୁଦୂର

ଓଠେ ଫୁଟୁଥିଲା କୋକନନ୍ଦ ଜିଣା ହାସ୍ୟ ମଞ୍ଜୁ ମଧୁର !

 

ନୀଳକେଶ ପାଶ ଲମ୍ବି ପଡ଼ିଚି ପଦତଳ ଯାଏଁ ଚରମେ !

କେଉଁ କିନ୍ନରୀ ସରଗ ପୁରୀର ଆସିଚି ମରତେ ଭରମେ !

ଥରେ ସେ ଉଠାଇ ଥରେ ସେ ଚାହିଁଲା,      

ଗୋପନ ପୁରୀର ସେ ରାଜ ମହିଳା,

ଚମ୍ପକ ଭଳି ଅଙ୍ଗୁଳି ଚାଳି କହିଲା ବାରତା ସରମେ;

କେଉଁ କିନ୍ନରୀ ସରଗ ପୁରୀର ଆସିଚି ମରତେ ଭରମେ !

 

ଗଣ୍ଡ ଯୁଗଳ ଢଳ ଢଳ ଢଳ ଗୋଲାପ ପାଖୁଡ଼ା ପରାଏ !

ନୀଳ ଭୁରୁ ଲତା ବହି କି ମମତା ଥିରି ଥିରି କେତେ ଥରାଏ !

ଗୁନ୍ଥି ଆଣିଚି ପାରିଜାତ ମାଳା,

ଗଳେ ଲମ୍ବାଇ ଦେବ ବୋଲି ବାଳା

ଚମକି ଚାହିଁଲି ଚକିତ ନୟନେ ତଳକୁ ସେ ଆଖି ଫେରାଏ

ନୀଳ ଭୁରୁ ଲତା ବହି କି ମମତା ଥିରି ଥିରି କେତେ ଥରାଏ !

 

ସେ କିଶୋରୀମଣି ନବ ଯଉବନୀ ଢାଳି ତା’ ତରଳ ଚାହାଣୀ

ଲାଜେ ଲାଜେ ମୋରେ କହିଲା କି ଅବା ଅମୃତ ବୋଳା କାହାଣୀ !

‘‘ ସରଗ ଭୁବନ ଅପ୍‌ସରି ମୁହିଁ

ଆସିଛି ବରଜି ସେ; ସରଗ ଭୂଇଁ,

ମୋ ସରଗ ପୁରେ ବାରେ ହେଲେ ପ୍ରିୟ ହେବ ନାଇଁ ତବ ଯାଆଣି ?

ଲାଜେ ଲାଜେ ମୋରେ କହିଲା କି ଅବା ଅମୃତ ବୋଳା କାହାଣୀ !

 

ଛାଡ଼ି ଏ ଧରଣୀ ଆସ ପ୍ରିୟତମ ଆସ ମୋ ସରଗ ମୂଲକେ

ହଂସୁଲି ତୂଳି ତଳପେ ଥିବ ଗୋ ଶୋଇ କି ଅମର ପୁଲକେ !

ଗୁନ୍ଥିଚି ମାଳା ତୋଳି ପାରିଜାତ

ଲମ୍ବାଇ ଦେବି ଗଳେ ପ୍ରାଣନାଥ !

ବୁକୁ ଚିରି ମୋର ପ୍ରଣୟ ଦେବି ମୁଁ ତୁମରେ ଗୋ ପ୍ରତି ପଲକେ;

ହଂସୁଲି ତୂଳି ତଳପେ ଥିବ ଗୋ ! ଶୋଇ କି ଅମର ପୁଲକେ !

 

ସରଗ ରାଇଜ ଅପ୍‌ସରୀ ମୁହିଁ ମରତେ ମୁଁ ଆସି ବୁଲଇ

ତୁମକୁ ବିଲୋକି ବୁକୁତଳ ମୋର କିବା ଉଚ୍ଚାଟେ ଫୁଲଇ !

ତୁମକୁ ଜୀବନେ ପ୍ରିୟତମ କରି

ବାହି ନେବି ମୋର ଜୀବନର ତରୀ

ମନା କଲେ ମୁହଁ ମାନିନୀ ଅବଳା, ଅପମାନ ନାଇଁ ଭୁଲଇ,

ତୁମରେ ବିଲୋକ ବୁକୁତଳ ମୋର, କିବା ଉଚ୍ଚାଟେ ଫୁଲଇ ! ’’

 

ପ୍ରତି ଅଙ୍ଗେ ମୁଁ ଦେଖୁଥିଲି ତା’ର ମୋଲାଗି କି ଭାବ ବିକାଶ !

ପ୍ରତି ଚାହାଣୀରୁ କି ବିପୁଳ ମାୟା ନିମିଷୁ ନିମିଷେ ପ୍ରକାଶ !

ପ୍ରତି ଲୋମ ମୂଳ ଉଠଇ ଶିହରି

ଧାରା ଶ୍ରାବଣର ନୀପ ଫୁଲ ପରି ।

କନକ ଉର୍ମି ବୁକୁ ତଳେ ତା’ର ଖେଳଇ ମୋହରି ସକାଶ

ପ୍ରତି ଚାହାଣୀରୁ କି ବିପୁଳ ମାୟା ନିମିଷୁ ନିମିଷେ ପ୍ରକାଶ !

 

‘‘ତୁମରି ଏ ଯେଉଁ ଅଯାଚିତ ଦାନ ଏ ଯେ ଅଯାଚିତ ପୀରତି

ଜନମେ ଜନମେ ବୁକୁ ତଳେ ମୋର ରହିଥିବ ସୁନା ପାଲଟି !

ତୁମରି ଏ ଯେଉଁ ପ୍ରୀତି ଆହ୍ୱାନ

ନଇଁ ଆସେ ମଥା ବିଲୋକି ତା’ ପ୍ରାଣ,

ଜାଣେ ମୋହ ବିନେ ସୁର ନାଗରୀ ଗୋ ହିଆ ହୋଇଯିବ କରତି,

ଜନମେ ଜନମେ ବୁକୁ ତଳେ ମୋର ରହିଥିବ ସୁନା ପାଲଟି ।

 

କିନ୍ତୁ କିଭଳି ଛାଡ଼ିବି ମୋର ଏ ଆଜନମ ପ୍ରିୟ ଧରଣୀ

ବନ୍ଧା ମୋ ସାଥେ ତା’ର ବିଲ ବନ ନଈ ନାଳ ସେତୁ ସରଣୀ ।

ତିଳ ତଣ୍ଡୁଳ ଗଛ ଛାଇ ତଳ

କୋଟି ଜନ ପଦ, ପଲ୍ଲୀ ନଗର-

ପ୍ରତି ରେଣୁ ସହ କି ବିଶାଳ ମୋହ ବୁଝ କି ଗୋ ବର ବରଣି !

ବନ୍ଧା ମୋ ସାଥେ ତା’ର ବିଲ ବନ ନଈ ନାଳ ସେତୁ ସରଣୀ ।

 

ଗରିବ ଚଷାର ନୟନ ଆସାର ବୋହିଲେ ଗଭୀର ବେଦନେ;

ପୋଛି ଦିଏ ମୁହଁ ଭଲ କଥା କହି ଯାଇ ତାର ପ୍ରିୟ ସଦନେ ।

ସରଳେ ପରାଣେ ପିଢାଟି ପକାଇ

କହେ ବସ ପୁଅ ଆଉ କିଛି ନାଇଁ

ଭାରିଜାଟି ତା’ର କେତେ ସୁଖ ଦୁଃଖ କହେ ଚାହିଁ ମୋର ବଦନେ,

ପୋଛି ଦିଏ ମୁହଁ ଭଲ କଥା କହି ଯାଇ ତା’ର ପ୍ରିୟ ସଦନେ ।

 

ଭିକ୍ଷୁକ ଯେବେ ଗୀତ ଗାଇ ଗାଇ ଦୁଆରେ ଭିକ୍ଷା ମାଗଇ,

ତା’ ଲାଗି ମୋହର ବକ୍ଷେ କାହିଁକି ଗଭୀର ଆଘାତ ଲାଗଇ ।

ଚାଉଳ ମୁଠିଏ ଦେଇ ଚାହେଁ ତାରେ,

ଖରାରେ ତରାରେ କେତେ କା’ ଦୁଆରେ-

ବୁଲୁଥିବ କେତେ ହୀନିମାନେ ଶମିବାକୁ ପେଟଜାଳା ଆଗହିଁ ।

ତା’ ଲାଗି ମୋହର ବକ୍ଷେ କାହିଁକି ଗଭୀର ଆଘାତ ଲାଗଇ ।

 

ନ ଖାଇ ନ ପିଇ ହାଡ଼ ମାଳା ନିହି ଜମ ବୁଜୁଳିଟି ପରାଏ

ଜନନୀର କାଖେ ଶିଶୁଟିଏ ଖେଳେ ହୋଇ କିବା ଦରମରା ହେ ।

ଚାହିଁ କହେ ମୋର ବିକଳ ବକ୍ଷ

କେହି ନାଇଁ ତାର ଏଡ଼େ ଅରକ୍ଷ ।

କିଭଳି ଚାଲିଚି କି ଶିରୀ ବିଭବେ ଏ ମୋର ନିଖିଳ ଧରା ହେ ?

ଜନନୀର କାଖେ ଶିଶୁଟିଏ ଖେଳେ ହୋଇ କିବା ଦରମରା ହେ ।

 

କିଏ କାହିଁ ମୋରେ କେତେ ଭଲ ପାଏ କା’ ଲାଗି ହସେ ମୋ ହୃଦୟ

କେସନେ ତିଆଗି ଏ ମୋର ବସୁଧା ହେବି ମୁଁ କା’ ପରେ ନିଦୟ ?

ଥାଉ ଏଥି ରୋଗ ବ୍ୟାଧି ଯନ୍ତ୍ରଣା,

ଥାଉ ମରଣର କୂଟ ମନ୍ତ୍ରଣା

ଭଲ ଲାଗେ ମୋରେ ମୋ ଜନମ ମାଟି ସୁଖେ ଦୁଃଖେ ସାଥି ସଦୟ;

କେସନେ ବରଜି ଏ ମୋର ବସୁଧା ହେବି ମୁଁ କା’ପରେ ନିଦୟ ?

 

ଘୋର ଅଭାବର କଷାଘାତେ ହେଉ ଅସ୍ଥିର ମୋର ମରମ

କୋଟି ବେଦନାରେ ପାଇ ନ ପାରେ ମୁଁ ନିମିଷେ ଶାନ୍ତି ପରମ,

ତଥାପି ମୋ ପ୍ରିୟ ବସୁଧାର ରେଣୁ

ବଜାଏ ମୋ ସୁମଧୁର ବେଣୁ !

ଇଚ୍ଛା ମୋ ସବୁ ସୁଖେ ଓ ଦୁଃଖେ କରେ ଏଥି ମୋର କରମ,

କୋଟି ବେଦନାରେ ପାଇ ନ ପାରେ ମୁଁ ନିମିଷେ ଶାନ୍ତ ପରମ ।

 

ମୋ ମାଟିର ପ୍ରତି ଦୁଃସ୍ଥ ନୟନୁ ପୋଛି ଦିଏଁ ଲୁହ ଧାର ଗୋ !

ସକଳ ଅଭାବ ଜଞ୍ଜାଳ ଜାଳା କପାଳେ କରି ମୁଁ ଗାର ଗୋ

ଯେଉଁ ମଧୁ ଶିରୀ ପାଇବି ତହିଁରେ

ଚଉଦ ଭୁବନେ ମିଳେ କି ସହିରେ !

ମୋ ମାଟିର ପ୍ରତି କୁଟୀର ମୋହରି ବୁକୁର ଶୋଣିତ ଧାର ଗୋ !

ସକଳ ଅଭାବ ଜଞ୍ଜାଳ ଜାଳା କପାଳେ କରି ମୁଁ ଗାର ଗୋ !....

 

ନାଇଁ ନାଇଁ କାହିଁ ଯାଇ ପାରିବିନି ପୃଥିବୀରେ ମୋର ବରଜି,

ଫୁଟାଇବି ଏଥି କୋଟି ପାରିଜାତ କନକ ପରାଗ ସରଜି ।

ଏଥି ମୁଁ ହସିବି ଏଥି ମୁଁ ଖେଳିବି,

ଏଥି ମୁଁ ସୁନାର ସରଗ ତୋଳିବି,

ଏଥି ମୁଁ ହିଂସା ହତ୍ୟା ତଡ଼ିବି ସିଂହ ପରାଏ ଗରଜି !

ଫୁଟାଇବି ଏଥି କୋଟି ପାରିଜାତ କନକ ପରାଗ ସରଜି ।

 

ଏତେ ଯେବେ ମତେ ଭଲ ପାଅ ତମେ ଆଗୋ ରୂପବତୀ କିଶୋରି ।

ଆସ ମୋର ଏଇ ଭଂଗା କୁଟୀରେ ସରଗ ଭୁବନ ପାଶୋରି

ଏ ମାଟିରେ ସଖି ! କର ଗୋ ସେନେହ

ଏ ମାଟିର ପାଇଁ ଦିଅ ମନ ଦେହ

କହୁନା କାହିଁକି ଆଗୋ ରୂପବତୀ ରୂପ ସାଗରର ଇଶ୍ୱରି !

ଆସ ମୋର ଏଇ ଭଂଗା କୁଟୀରେ ସରଗ ଭୁବନ ପାଶୋରି ।

 

ମୋତେ ତୁମେ ଯେବେ ଏତେ ଭଲ ପାଅ ମୁହିଁ ଭଲ ପାଏ ନାଇଁକି ?

କେସନେ ଯାଉଚ କେଉଁ ଦୂରେ ଛାଡ଼ି ଆସି ତୁମେ ମୋହ ପାଇଁକି

କି ବୁଝିଲ ମୋର ଅନ୍ତର ବ୍ୟଥା ?

କି ବୁଝିଲ ମୋର ପ୍ରାଣ ଆକୁଳତା ?

ମୋ ମାଟି ଦୁଃଖେ ଅନ୍ତର ତବ ଟିକିଏ ତରଳେ ନାଇଁ କି ?

କେସନେ ଯାଉଚ କେଉଁ ଦୁରେ ଛାଡ଼ି ଆସି ତୁମେ ମୋହ ପାଇଁକି ?

 

ଏ ମାଟି ଉପରେ ସୁଖେ ଦୁଃଖେ ସଖି ! ମୋହ ତୁଲେ ରଚ ବାସ ଗୋ !

ଆସ ! ଆସ ତୁମେ ହେ ସରଗବାଳା ! ଏ ମାଟି କୁଟୀରେ ଆସ ଗୋ

ମୋ ଲାଗି ମୋର ଏ ମାଟି ଟିକ ଲାଗି

ଲୁହ ଟୋପେ ଯେବେ ଉଠେ ନାଇଁ ଜାଗି,

କି ଶିରୀ ଥାଇ ବା ତୁମ ଏ ଚାହାଣୀ ଓଠର ଗୋଲାପୀ ହାସ ଗୋ ?

ଏ ମାଟି ଉପରେ ସୁଖେ ଦୁଃଖେ ସଖି ମୋହ ତୁଲେ ରଚ ବାସ ଗୋ ।

 

 

ସ୍ମୃତି ତାର ଅକ୍ଷୟ !

ଏ ପାହାଡ଼ ତଳେ ଯୁଦ୍ଧ ସେ କରି କରି,

ଚିର ଦିନ ପାଇଁ ବୁଜିଚି ନୟନ ଡୋଳା;

ଏ ପାହାଡ଼ ଏଇ ପାଦପ ଲତିକା ଧରି

ଦେଖିଚି ତା’ ଦେହ ଫାଟିବାର ସୋରା ସୋରା !

 

କେତେ ତୀର କେତେ ଖଣ୍ଡାର ଘାତ ସହି

ଥମି ଯାଇନି ସେ ଡରି ଯାଇନି ସେ ଲବେ,

ଶୋଣିତ ଯାଇଚି ଧାର ଧାର ଧାର ବହି

ଦେଶ ଜାତି ପାଇଁ ଯୁଦ୍ଧ କରିଚି ଭବେ ।

 

ପଗଡ଼ି ତାହାର ମସ୍ତେକେ ଅଛି ରହି,

କରୁ କରବାଳ ପଡ଼ିନି ନିମିଷେ ଖସି ।

ଶର ଶର-ମୁଣା ସ୍କନ୍ଧେ ସେ ଅଛି ବହି,

ଧରଣୀର ତଳେ ଶୋଇଚି ଯେହ୍ନେ ହସି !

 

ଆଖିରେ ଜଳୁଚି ସେଇ ସେ ଅଗ୍ନି ଶିଖା,

ବୁକୁ ତଳେ ଅଛି ସେଇ ସେ ଦମ୍ଭ ରହି !

କପାଳେ ଦୀପ୍ତ ସେଇ ସିନ୍ଦୁର ଟୀକା

ଓଠେ ତଳେ ସେଇ ବୀର ପ୍ରତିଜ୍ଞା ଛଇ !

 

ବୃଦ୍ଧ ପିଅର ଆସିଲେ ସେ ପଥେ ଚଳି

ଦେଖିଲେ ପଡ଼ିଚି ଭୂତଳେ ପୁଅଟି ଢଳି ।

ସେଇ ତେଜ ସେଇ ଦୀପ୍ତି ଲକ୍ଷ୍ୟ କରି

କହିଲେ, ‘‘ ସାବାସ ପୁଅ ମୋର ପୁଅ ପରି !’’

 

ବୃଦ୍ଧା ଜନନୀ କୁମର ମଣିରେ ଚାହିଁ

କହିଲେ, ‘‘ସ୍ତନ୍ୟ ବୃଥା ମୋ ଯାଇ ନାଇଁ,

ଏଇ ମୋର ପୁଅ ଏହାରି ସମାନ କାହିଁ

ମର୍ତ୍ତ୍ୟେ ନ ଥିବେ’’ ଚୁମ୍ବନ ଦେଲେ ଯାଇ !

 

ସେ ପାଇକ ପ୍ରିୟା ଆସି ସେ ଯୁଦ୍ଧ ଭୂଇଁ,

କହିଲେ, ଏଇ ମୋ ସ୍ୱାମୀ ଠିକ୍‌ ସ୍ୱାମୀ ପରି,

ଛାତିରେ ସେ ବୀର ସ୍ୱାମୀର ଚରଣ ଦୁଇ

ଯାକି ଧରି କହେ ଛାଡ଼ିବି ମୁଁ କେଉଁ ଭଳି ? ’’

 

ରାଇଜ ରାଜନ ଆସିଲେ ସେ ପଥେ ଚଳି

ଉତ୍ତାନେ ଯୁବା ବୀର ପରି ଅଛି ଢଳି ।

ନଖୁ ଶିଖ ଯାଏ ଦେଖିଲେ ନୟନ ଭରି,

କେତେ ଶର ମୁନ ଦେହେ ତା’ ଯାଇଚି ଗଳି !

 

ଏ ପାଖ ସେ ପାଖ କେତେଠି ଫୁଟଛି ଗୁଳି,

ହେଲେ ଅଛି ଦେହେ ସେ ବୀର ଦୀପ୍ତି ପୂରି,

ସେ ବୀର ଉଦେଶେ ନୀରବେ ପ୍ରଣତି କରି,

କହିଲେ, ‘‘ଏଭଳି ବୀର ନାଇଁ ଅବତରି ।’’

 

ବିଶ୍ୱ ଜନତା ଗାଇଲା ସେ ବୀର ଜୟ

ଯୁଗ ଯୁଗ ଧରି ସ୍ମୃତି ତା’ର ଅକ୍ଷୟ ।

 

ପାଥେୟ

ନିରାଟ ଖରାରେ ବାଟ ନ ପାରଇ ଚାଲି

ମୁଣ୍ଡ ତାତିଯାଏ ତଳୁ ପାଦ ଆସେ ପୋଡ଼ି;

ବହୁଚି ତପତ ଝାଞ୍ଜି ହେଉନାଇଁ ସହି

ନିଆଁ କେ ଅଜାଡ଼ି ଦିଏ କେଉଁଠି ବା ରହି !

 

ଝାଳ ଗମ ଗମ ଯାଏ ପ୍ରତି ଅଂଗୁ ଝରି

ପାଦକୁ ପାଣ୍ଡୋଇ ମୁଣ୍ଡେ ଛତା ନାଇଁ ଧରି;

ବିକଳ ଅସ୍ଥିର ଲାଗେ ପ୍ରତି ପଦ ପାତେ

ଚାଲିଚି ଏକାକୀ ମୋର କେହି ନାଇଁ ସାଥେ;

 

ଗଲେ ଅଧକୋଶେ ବାଟେ ଭୁଞ୍ଜି ବଇଁ ଭାତ

ଚାଲିବାକୁ ହେବ ମତେ ଏତେଦୁର ପଥ ।

ସହି ଏ ତପତ ଝାଞ୍ଜି ସହି ଏଇ ଖରା

ଏକ ମୁହାଁ ହୋଇ ମୁହିଁ ଚାଲିଅଛି ପରା !

 

ସକାଳୁ ଖାଇନି ଭାତ ଗଡ଼ିଲାଣି ବେଳ

ଦେହ ମନ ଲାଗେ ସତେ କେଡ଼େ ଦୁରୁବଳ !

ଏ ଦୁର ପ୍ରବାସ ଗାଁଏ କେ ଅଛି ନିଜର ?

ହୃଦ ମଧୁ ଢ଼ାଳି ପ୍ରାଣ କରିବ ଶୀତଳ !

 

ଚାଲିଚି ଏକାକୀ ପଥେ ମନ ଗୋଟି ମାରି,

ପଛୁ କେ’ ସେନେହ ଭାଷେ ଯାଉଚି ପଚାରି !

‘‘ନିଅନ୍ତୁ ଛତାଟା ଏଇ ବାଧୁଥିବ ଖରା

କେଡ଼େ ନାରଖାରେ ତୁମେ ଚାଲି ଅଛ ପରା !

 

ବାର ବାରଷର ସେ ତ ବାଳକ ଗୋଟିଏ

ବଦନେ ମୋହନ ଆଭା କେହ୍ନେ ଖେଳିଯାଏ

କହିଲି-‘‘କାହିଁକି ବାବୁ ମୋହ ପାଇଁ ତମେ

ଜଳି ପୋଡ଼ି ଚାଲିବ ଏ ଦୁଃସହ ଗ୍ରୀଷମେ ?

 

କାହା ଘର ପୁଅ ତମେ କା’ କୋଳ ସଙ୍ଖାଳି

ଏ ମହା ଗ୍ରୀଷମେ ତୁମେ ପାରିବ କି ଚାଲି !

ସିଝି ସିଝି ଏ ଖରାରେ ପହଞ୍ଚିଲେ ଘରେ

ସହି କି ପାରିବେ ବୋଉ ନୀରବ ଅନ୍ତରେ ?

 

ପାଇବେ ଗଭୀର ବ୍ୟଥା ପଚାରିବେ କାହିଁ

ଛଥା ଟେକି ଆସିଲୁନି ଦେଲୁ କି ହଜାଇ ?

କେସନେ ନିଠୁର ମୁହିଁ ହେବି ତୁମପରେ

ଛଡ଼ାଇ ଧରିବି ତୁମ ଛତିଟିଏ କରେ;

 

ଛାଇରେ ସୋହାଗେ ବାଟେ ପାରିବି କି ଚାଲି ?

ତୁମେ ଏ ଖରାରେ ଚାଲି ପଡ଼ିବ ଝାଉଁଳି ।

ଗୋଲାପ କଳିକା ପରି ତୁମ ଦେହ ମନେ

କେମନ୍ତେ ଦେବଇଁ ବାଧା ଏ ମହା ଗ୍ରୀଷମେ ?

 

ହସି ଖେଳି ତୁମେ ଯେବେ ଚାଲୁଥିବ ବାଟେ

ଧରିଥିବ ଏ ଛତିଟି ତୁମ ଟିକି ହାତେ ।

ସାଂଗ ସାଥି ଜନେ କରି ମଧୁ ଆଳାପନ

ଚାଲିଥିବ ଫୁଟାଇ କି ଶିରୀ ବିମୋହନ !

 

ଏ ସଂପଦଟିକ ମୁହିଁ ଦେଖିଲେ ନୟନେ

କି ଅଧିକ ମୋରେ ନାଇ ଲାଗିବ ଜୀବନେ ।

ବିଧାତା ବାଳୁତଟିଏ ଦେଇନାଇ ବୋଲି

ପାଲଟି ମୁଁ ଯାଇଚି କି ତପ୍ତ ମରୁବାଲି ?

 

ନାଇଁ କି ମୋ ବୁକୁତଳେ ସେନେହ ନିର୍ଝର ?

ତୁମେ କି ମୋ ବାଳୁତରୁ ବଳି ନୁହଁ ବଡ଼ ?

ଟେକି ଏ ଛତିଟି ବାବୁ ଯାଅହେ କୁଟୀରେ

ମୋ ପାଇଁ ଭାଳେଣି କିମ୍ପା କର ଧରଣୀରେ ?

 

କେତେ ଯେ ଦଇନ ଦାଗ ଚାଲିଚି ମୁଁ ବହି

ଏ ଟିକ ଆଜି କି ବାବୁ ପାରିବିନି ସହ ?

କେତେ ଲୁହ ବିନ୍ଦୁ ମୋର ନିଭିଛି ନୟନେ

ଏ ଟିକ ବି ଉଇଁ ନିଭିଯିବ ଏଇ କ୍ଷଣେ !’’

 

କିବା ସେ ଭାଳିଲା ଦେଇ ଛତିଟି ମୋ କରେ ,

ଚାଲିଗଲା ହସି ହସି ଆପଣା କୁଟୀରେ,

କି ବାଟ ଚାଲିବି ଧରି ସେ ଛତିଟି ତା’ର

ଚାହିଁ ମୁଁ ରହିଲି ତା’ର ପଥେ ବାର ବାର;

 

ଗଛପତ୍ର ଚାରିଆଡ଼େ ଦେଖୁଚି ମୁଁ ଚାହିଁ

ହସି ହସି ଚାଲିଚି ସେ ଦୂରେ ଦୂରେ କାହିଁ ।

ଚାଲିଲେ ଆଗକୁ ପାଦ ପଡ଼ୁନାଇଁ ତିଳେ

କି ମଧୁ ସଂପଦ ଦେଇ ଚାଲିଗଲା ଧୀରେ ।

 

ସେ ମଧୁ ହୃଦୟ ପାଶେ କି ଦୁଃଖ ମୋହର ?

ସେ ଦିନୁ ମୋ ନେତ୍ରେ ସିଏ ନିତି ଢଳ ଢଳ ।

 

ମେଲା ଡିହ

ବରଜି ପ୍ରବାଶ ଭୂଇଁ ଗୃହେ ଆସେ ଫେରି

ପଲ୍ଲୀର କୃଷକ ଯୁବା, ମାଥେ ଟ୍ରଙ୍କ ପେଡ଼ି ।

 

ଧୋବ ଲୁଗା ଅଙ୍ଗେ, ଦେହେ ପିଙ୍ଗଳ କାମିଜି,

ଛତା ଯୋତା, ସପ ବାନ୍ଧି ମଥାରେ ଥାପିଛି ।

 

ମହକି ଉଠଇ ବାଟ, ଦେହେ ଅଛି ବୋଳି

ସୁଗନ୍ଧ ଅତର ଅଟ୍ଟୋ, ପତ୍ରି ସୁନା ନୋଳି-

 

ଦୁଇ କାନେ ଦାଉ ଦାଉ, ଦୁଇ ଫୁଲ ପରି,

ଛଡ଼ିଟିଏ ହାତେ କ୍ଷୁଦ୍ର ଲଣ୍ଠନ ସହ ଧରି-

 

ପାନଖିଲ କଳେ ଜାକି ଚାଲିଅଛି ପଥେ,

ଚିତ୍ତେ ଭାଳି କେତେ ଲୋକ ଚାହିଁବେ ତ ମତେ ।

 

ପଚାରନ୍ତି କେତେ ଦର୍ମା ପାଉଥିଲେ ଦୀନା ?

କହି ଉଠେ ‘ମାସକୁ ମୋ ଷାଠିଏ ମଇନା ।’

 

ଗ୍ରାମ ଶେଷେ ଦେବାଳୟ, ପାଖେ ତା’ର ଘର

ଘର କାହିଁ ? ପାହାଚ ଯା ରହିଛି କେବଳ !

 

ଚାରିଆଡ଼ ମେଲା ଡିହ ଚରୁଛନ୍ତି ଛେଳି,

କେତୋଟି ପଲ୍ଲୀର ପିଲା ଲୁଚକାଳି ଖେଳି-

 

ବୁଲୁଛନ୍ତି ଏଣେ ତେଣେ । ବାପା ଆଉ ବୋଉ

ହଇଜାରେ ମରିଗଲେ, କେତେ ଦିନ ଯାଉ-

 

ଭାରିଯାଟି ଅନ୍ନାଭାବେ ବୁଜିଅଛି ଆଖି,

ମେଲା ଡିହ ଯାହା ମାତ୍ର ରହିଅଛି ବାକୀ !

 

କାନ୍ଦି ଉଠେ ପ୍ରାଣ ତା’ର ବୁହେ ନେତ୍ରୁ ଲୁହ

କେ ବୁଝିବ ? ଚାହିଁ ରହେ ଖାଲି ମେଲା ଡିହ

 

ଯିବି

 

ବରଷୁ ଅଧିକ            ରହିବାର ମୋର

ହେଲାଣି ଏ ମାଟି ପରେ,

ଆଉ କେତେ ଦିନ            ରହିବି ଏଥିଟି

କହି କି ପାରିବି ଥରେ ?

 

ସୁଖେ ଦୁଖେ ସିନା            ଦିନ ବିତି ଯାଏ

ମନ କି ଲାଗଇ ଭଲ ?

କି ମଧୁ ବିଭବ            ଛାଡ଼ି ଆସିଚି ଲୋ

ଲାଗେ ବଡ କଲବଲ ।

 

ଏ ଯେଉଁ ଗାଆଁଟି            ବଡ଼ ଗାଆଁଟି ଲୋ

ଚାରିଆଡ଼େ ବିଲ ବନ

କଳ ତାନ ରଚି            ପାଖକେ ତା’ର ଲୋ

ବହିଯାଏ ପ୍ରସ୍ରବଣ !

 

ଏ ପାଖେ ଦିଶଇ            ଶ୍ୟାମଳ ଶିଖରୀ

ଆକାଶକୁ ମଥା ଟେକି

ମେଘ ଚରୁଥାଏ             ନିତି ପ୍ରତି ତହିଁ

କି ମୋହନ ଛଇ ଲେଖି;

 

ଆର ପାଖେ ତା’ର            ଆରେକ ପାହାଡ଼

ଶ୍ୟାମଳୁ ଶ୍ୟାମଳତର

ଚାହୁଁ ଥିଲେ ଚାହିଁ            ରହିଟି ଥିବ ଲୋ

ଜଣା ନ ପଡ଼ିବ ବେଳ ।

 

ସୁଦୁର ଅୟନେ            ଶତ ଗିରିମାଳା

ଜାଣେ କି ସେସବୁ ନାଆଁ ?

ବାରୁଣୀ କପୋଳେ            ଝଟକି ଉଠେ ଲୋ

ନୀଳ ଶାଢ଼ୀ ପରି ଆହା !

 

ଚାରିଆଡ଼େ ଖାଲି            ସବୁଜ ଖେତ ଲୋ

ଦିଶୁଥାଏ ଛନ ଛନ

ମୁହାଣେ ମୁହାଣେ            ପାଣି ଝରି ପଡ଼େ

ରଚି କିବା କଳତାନ ।

 

ଦଳ ଦଳ ହୋଇ            ଦଳୁଆଣୀ ବଧୂ

ମଧୁତାନେ ଗୀତ ଗାଇ

ଧାନ ରୋଉଥାନ୍ତି            ମନ ଉଷତେ ଲୋ

ବିଲରୁ ବିଲକୁ ଯାଇ;

 

ଶୁଣୁଥିବ ଯେବେ            ସେ ଗୀତ ତାନ ଲୋ

ହୋଇ ହିଡ଼ ପରେ ଠିଆ

ଶୁଣୁଥିବ ବସି            କେତେ ବେଳ ଯାଏ

ଭୁଲି ସବୁ ଖିଆପିଆ ।

 

ବଣ ତଡ଼େ ତଡ଼େ            ମଇଁଷି ଗୋଠ ଲୋ

ବୁଲୁଚି ମଇଁଷିଆଳ

ଶିରେ ତାଳ ଛତା,            ପାଦେ କଠାଉ ଲୋ

ହାତକେ ବଇଁଶୀ ତା’ର ।

 

ଖୋଲରୁ ଖୋଲକୁ            ବୁଲି ସେ ଯାଏ ଲୋ

ଅଡ଼ାଇ ମଇଁଷି ପଲ

ବଇଁଶୀ ଟିକିଏ            ବଜାଇ ଦେଇ ଲୋ

ବସେ ଗଛ ଛାଇ ତଳ ।

 

କି ମଧୁ ବିଭବି            ଆହରି ପରାଣେ

ବୁଲୁଚି ନିଧୋକା ହୋଇ,

ମନ ସରାଗରୁ            ବଳି କି ଶିରୀ ଲୋ

ମରତେ ଅଛଇ ରହି !

 

ଦଳୁଆଣୀ ବଧୂ            କୁଳ କାମିନୀ ଲୋ

ନବ ଯଉବନୀ ଗୋରୀ

ଢଳି ଚାଲୁଥାନ୍ତି;            ଦେହେ ନୀଳ ଶାଢ଼ୀ

କେଶେ କିଆ ଫୁଲ ମାରି !

 

ପାଣି ନଉଥାନ୍ତି            ଝରଣା ତଡ଼ୁ ଲୋ

ଦଳ ଦଳ ହୋଇ ଆସି

କେତେ ସୁଖ ଦୁଃଖ            ହସ କଉତୁକେ

ପରାଣ ଟିକକ ଝାସି !

 

ଏ ମୋହନ ଶୋହା            ମେଳେ ମୋର ଆହା

ବରଷେ ଗଲାଣି ବିତି

କେତେ କାହା ତୁଲେ            ରହିନି ମୋର ଲୋ

ହୃଦୟ ମମତା ପ୍ରୀତି !

 

ବାଟେ ଚାଲିଗଲେ            କେତେ କେତେ ଜଣା

କେତେ ବା ଅଜଣା ଜନେ

ସୁଖ ଦୁଖ ମୋର            ପଚାରି ଯାଆନ୍ତି

କି ଶରଧା ବହି ମନେ !

 

ପରାଣ ମମତା            ତହୁଁ ବଳି କିବା

ଅଛଇ ଅମୂଲ୍ୟ ମଣି ?

ଯେଉଁ ଟିକ ଲାଗି            ସରଗ ସତେ ଲୋ

ପାଲଟି ଉଠେ ଅବନୀ !

 

ହୃଦେ ହୃଦ ଢାଳି            ଜଣେ ଜଣକୁ ଲୋ

ସେନେହେ ଦେଲେକ ଚାହିଁ,

ତହୁଁ ଝରେ କିବା            ଶତ କୋଟି ନିଧି

ମରତେ ଉପମା କାହିଁ ?

 

ହେଲେ ମନ କିଆଁ            ଖୁଜୁ ମୁଜୁ ହୁଏ

କି ଶିରୀ ଆସିଚି ଛାଡ଼ି ?

ଦିବାନିଶିଥିନୀ            କାହିଁକି କେଜାଣି

ଆତୁରେ ହୁଅଇ ଭାଳି !

 

କାହା କଥାଟିକ            ଅଧିକ ଲାଗେ ଲୋ

କିଏ ପଡ଼ିଯାଏ ମନେ,

ଆଖିରେ ଆଖିରେ            ଦିଶି ଦିଶି ଯାଏ

ପ୍ରତି ଦିନ ପ୍ରତି କ୍ଷଣେ ।

 

ପରାଣ ବେଦୀରେ            ମୋ କଥା ଟିକକ

ସାଇତି ରଖିଚି କିଏ

ତୁରିତେ ଯାଇ ମୁଁ            ମିଳନ୍ତି ତହିଁ ଲୋ

ଦିନରାତି ଭାଳି ହୁଏ !

 

ଦୁରେ ବହୁଦୁରେ            କେତେ ବିଲ ବନ

ନଦ ନଦୀ ଗ୍ରାମ ପାରେ,

ସେ ପରାଣେ ଢାଳି            ଏ ପରାଣ ଟିକ

କି ଶିରୀ ପାଆନ୍ତି ବାରେ !

 

ଆସିଲା ବେଳେ ମୁଁ            ଆସି ସେ ଥିଲେ ଲୋ

ମେଲାଣି ଦେବାର ପାଇଁ

ଅଧବାଟୁ ଦେଇ            ମେଲାଣି ମୋରେ ସେ

ଚାହିଁ ତ ପାରିଲେ ନାଇଁ !

 

ପ୍ରତି ଲୁହ ଧାର            ନୟନୁ ପୋଛି ଲୋ

ଚାଲିଲେ ଆପଣା ପଥେ

ହେଲେ ପଛୁ ଫେରି            ବାରକୁ ବାରଲୋ

ଚାହୁଁ ଥାଆନ୍ତିଟି ମତେ !

 

ଦୁରୁ ଦୂରେ ସେତ            ମିଶି ଗଲେ କାହିଁ

ବିଲ ବନ ଆଢ଼ୁଆଳେ,

ସେ ନାହାନ୍ତି ଚାହିଁ,            ମୁଁ ଚାହିଁ ରହିଛି

ସୁଦୂର ଅୟନ ପାରେ ।

ଯାଅ ବାବୁ ଦିନେ            ଫେରିବ ତୁରିତେ

କାହିଁକି ବ୍ୟଥିତ ହୁଅ ?

ସେଇ କଥା ପଦ            ମନେ ପଡ଼ି କେତେ

ବହିଲା ଅସୀମ ଲୁହ ।

 

ପିଲାଟି ଦିନରୁ            କି ମଧୁ ସରାଗେ

ଆସି ମୁଁ ନ ଥିଲି ବଢ଼ି ?

ଜାଣି ତ ନ ଥିଲି            କି ଦୁଃଖ ମରତେ

ରହିଛି ନିୟତ ବେଢ଼ି ।

 

ପ୍ରତି ନିୟତ ମୋ            ଜୀବନ ଗୋଟି ଲୋ

ନବ କିଶଳୟ ପରି

ନାଚି ଉଠୁଥାଏ            ମୋହନ ବିଭବେ

କେତେ ଦିନ ମାସ ଧରି

 

ତରୁଣ ଜୀବନେ            ଚାଲି ସେ ଗଲେ ଲୋ

ଏକା କରି ଦେଇ ମତେ

ସେଇ ଦିନୁ ମୋର            ସବୁ ହସ ଖେଳ

ମରି ଯାଇଚିଟି ସତେ !

 

କି ଦୁଃଖୀ ଜୀବନ            ଧରି ମୁଁ ଚାଲିଚି

ଜୀଇ ନ ଜୀଇଲା ପରି

ଗଭୀରୁ ଗଭୀର            ହେଲେ ମୋ ବେଦନା

କେତେ ଲୁହ ପଡ଼େ ଝରି !

 

ବହୁଥିଲେ ଲୁହ             ବହୁ ସେ ଥାଏଲୋ

ଶ୍ରାବଣର ଧାରା ପରି

ପୋଛି ଦେବ କିଏ,            ପୋଛିବାର ଯିଏ

ଯାଇଛନ୍ତି ଆର ପାରି !

 

କାହାକୁ ଲାଗିବ            ମୋ ପରାଣ ଭାରା

ଯାହାକୁ ଲାଗନ୍ତା ସେହି-

ଥିଲେ ଏ ମରତେ            ଏତେ ହୀନିମାନେ

ରହିକି ଥାଆାନ୍ତି ମୁହିଁ ?

 

ହେଲେ ସେତ ଜଣେ            ସୋଦରରୁ ବଳି

ସେନେହ କରନ୍ତି ମତେ

ଜୀବନର କେତେ            ଦୁଖ ଦୁରୁଦିନେ

ସାହା ହୋଇଚନ୍ତି ସତେ !

 

କୁଟୀରେ ମୁଁ ତାଙ୍କ            ଯାଇ ମିଳିଲେ ଲୋ

ଗୋଡ଼ କି ପଡ଼ିବ ତଳେ

ଅଧ ବାଟୁ ଆସି            ପାଛୋଟି ନେବେ ଲୋ

ପରାଣ ସୋହାଗ ଭରେ ।

 

ଯେତେ ନିଯାତନା            ବାଧିଚି ପରାଣେ

ସହିଚି ଯେ ବାଧା ପ୍ରାଣେ

ଗୋଟି ଗୋଟି କରି            କହି ଯାଉଥିବି

ସଂକୋଚ ନ ବହି ଧାନେ ।

 

ଆଖିରୁ ଲୋତକ            ପଡ଼ୁଥିବ ଝରି

ସୋଦର ମମତା ବହି

ପୋଛି ଦେଉଥିବେ            ପ୍ରତି ବିନ୍ଦୁଟି ଲୋ

ପାଖେ ମୋର ବସି ରହି ।

 

ବିସୋରି ସକଳ            ଦୁଃଖ ଦଇନି ଲୋ

ଚାଲିବି ଧରଣୀପରେ

କେତେ ଆଶା            ମଧୁ କଳପନା

ଖେଳିଯିବ ବୁକୁ ତଳେ ।

ମୋର ହୋଇ ଜଣେ            ଅଛନ୍ତି ମହୀରେ

କି ଅବା ଭାଳେଣି ମୋର

ପ୍ରତି ପଦ ପାତେ            ଅନୁଭବୁ ଥିବି

ଲାଗୁଥିବ ଅଲିଅଳ !

 

ମାରୁଆ ଶ୍ୟାମଳ            ମୋହନ ଶିଖରେ

ସରାଗେ ବୁଲିବି ଯାଇ

ନିର୍ମଳ ଝରର            କଳ ବେଣୁ ତାନେ

ଉଠିବି କବିତା ଗାଇ ।

 

ନୀଳ ଚିଲିକାର            ନୀଳ ଉର୍ମିମାଳେ

ପରାଣଟି ମୋର ଢାଳି

ଆଶାରେ ଆଶାରେ            ଅସୀମ ଆଶାରେ

ଦେବି ମୋ ଦୀପଟି ଜାଳି ।

 

ପ୍ରିୟ ପରିଜନ            ଯେତେ ଆପଣାର

ଯେ ଯହିଁ ଅଛନ୍ତି ରହି

ସବୁରିଙ୍କ ନାଆଁ            ରଖିଚି ମନେ ମୁଁ

ଏ ହୃଦ ଫଳକେ ବହି

 

କିଏ ସେ କେଉଁଠି            ଥିବେଟି କି ଭଳି

ସଭିଙ୍କି ରଖିଛି ମନେ,

କେତେ ଭଲ ପାଏ            ସଭିଙ୍କି ମୁହିଁ ଲୋ

ଏ ଦୂର ବିଦେଶ ଭୁମେ !

 

ଏତେ ଏତେ ଯହିଁ            ପରାଣ ମମତା

ଏତେ ଘେନାଘେନି ଯହିଁ

ସେ ଶିରୀ ଛିଣ୍ଡାଇ            ଦୁର ପରବାସେ

କେବେ କି ପାରିବି ରହି ?

 

ଯିବି ଯିବି ଯିବି            ତୁରିତେ ଯିବି ଲୋ

ଏଇ ଆଜିକାଲି ପରି,

ସେ ମାଟିର ପ୍ରତି            ରେଣୁରେ ରେଣୁରେ

ମୋ ବୀଣା ଉଠୁଚି ଥରି ।

ବନ୍ଦୀ ?

ତୁମେ ସବୁ ରହିଥିବ ସେ କ୍ଷୁଦ୍ର କୁଟୀରେ ସେଇ ନିକାଞ୍ଚନ ପଥଧାରେ

କୟଁ। ପତ୍ର କୟଁ। ଗଛୁ ପଡ଼ୁଥିବ ଝଡ଼ି ;

ଆଖୁକ୍ଷେତ ଦିଶୁଥିବ ଦୂରୁ ସୀମାହୀନ ମୋହନ ସଂଭାରେ ।

ମାରୀ ସିକତା ଶେଯେ ନୀଳ ଜଳ ବେଣୀ

କଳ ବେଣୁ ତାନ ତୋଳି ଯାଉଥିବ ଦୂରେ ଦୂରେ ବୋହି,

ତୁମେ ସବୁ ରହିଥିବ ସେ କ୍ଷୁଦ୍ର କୁଟୀରେ

ପରସ୍ପରେ ଆପଣାର ସୁଖ ଦୁଃଖ କୁହା କୁହି ହୋଇ ।

 

ମୁଁ ଥିଲି, ତୁମରି ତୁଲେ ମୁଁ ଆଜି ଆସିଚି ଛାଡ଼ି ତୁମ୍ଭମାନଙ୍କର-

ସେନେହ ମମତା ଆଉ ସହାନୁଭୂତିର ମଧୁସ୍ପର୍ଶଟିକ,

ମୋରେ ତୁମେ କରିଥିଲ କେତେ ଆପଣାର,

ଦୁଃଖ ମୋର ଦେଉଥିଲ ହୃଦବୋଳା ସାନ୍ତ୍ୱନାର ମୋହନ ସଂପଦ

ସେ ସବୁ କି ଭୁଲି ଯିବ ?

ତୁମେ ମୋରେ ଲାଗୁଥିବ ଚିରଦିନ କେତେ ଯେ ଅଧିକ !

 

ତୁମେମାନେ ରହିଥିବ ଗୋଟିଏ ବାୟା ଚଢ଼େଇର ନୀଡ଼େ-

ପାଞ୍ଚୋଟି ବାୟା ଚଢ଼େଇ ବସା କଲାପରି ;

ତୁମେମାନେ ହସୁଥିବ, କାନ୍ଦୁଥିବ, ଖେଳୁଥିବ,

ବେଳେ ବେଳେ ବ୍ୟସ୍ତ ହୋଇ ପଡ଼ୁଥିବ

କାହା ଘର, କାହା ଦିହ ପା ଦୁଃଖ କଥା

ଗୋଟିଏ କାର୍ଡରେ ଯେବେ ଲେଖା ହୋଇ ଆସିଥିବ

କେଉଁ ଡାକ ଘରେ ପଡ଼ି !

 

ତୁମେ ସବୁ କା’ ଆଖିରୁ ତପ୍ତ ଲୁହଧାର ଝରଝର ଝରି ଗଲେ

ଦେଉଥିବ ପୋଛି ବାପ ମାଆ ଭାଇରୁ ଅଧିକ ସେନେହ ଢାଳି ;

କିଏବା ଗାଆଁକୁ ଗଲେ ଦିନେ ଦୁଇ ଦିନ ପାଇଁ

ଅଧବାଟ ଯାଏଁ କାରେ ଆସୁଥିବ ଛାଡ଼ି ;

ଅବା ଆସୁଥିବ ଆଉ ଖଣ୍ଡେ ଦୂର

ବିଜନ ସଂଗୀଟି ପରି ଠିଆ ହୋଇ ରହିଥିବା

ସେଇ ପାହାଡ଼ର ପାଦତଳ ଯାଏଁ

ଫେରିବ ଶୁଭରେ ବୋଲି କହୁଥିବ ବାର ବାର

ହଲାଇ ରୁମାଲ କାନି, ନୟନେ ନୟନ ଢାଳି

କି ବିରାଟ ମଧୁ ଅଭିପ୍ରାୟେ !

 

ଗୋଧୂଳି କୁନ୍ତଳେ ଯେବେ, ପଶ୍ଚିମ ପାହାଡ଼ ଶିଖେ

ଯାଉଥିବ ସ୍ୱର୍ଣ୍ଣରବି ବୁଡ଼ି

ତୁମେ ସବୁ ଚାରି ପାଞ୍ଚ ସାଥି ହୋଇ ଆସୁଥିବ ବୁଲି,

ହେଉଥିବ କଥା ଭାଷା, ବସି କେଉଁ ସଡକର ଶଙ୍ଖ ପରେ

ଅବା କେଉଁ ହିଡ଼ ମୁଣ୍ଡେ, ଅବା କେଉଁ ପାହାଡ଼ର ଶିଖେ

ଅଭିଶପ୍ତ ଜୀବନର ସକରୁଣ ବ୍ୟଥା ବିଞ୍ଚି ହୋଇ ପଡ଼ୁଥିବ

ତୁମରି ଅନ୍ତରୁ ଝରି ତୁମ ଚାରି ଦିଗେ !

ତାହା ପରେ ଠୋ ଠୋ ହସୁଥିବ

ଭୁଲିଯିବା ପାଇଁ ହେଲେ ନିମିଷକ ଲାଗି

-ପ୍ରାଣର ଦହନ, ଯାହା ଜଳି ଜଳି ଯାଏ ଖାଲି ମୁହୂର୍ତ୍ତ ମୁହୂର୍ତ୍ତ ଧରି

କେବେ ସେ ନିଭିବ ବୋଲି ଆଶା କାହିଁ ଉଠେ ନାଇଁ ଜାଗି !

 

ତୁମେ ସବୁ ରହିଥିବ ସେ ନଈସିକତା ଧାରେ ସେ କ୍ଷୁଦ୍ର କୁଟୀରେ

କେବେ ଯେ ଆସିବ ଫେରି ମୁକୁଳା ଜୀବନ ଶିରୀ

ନଈ ଜଳ ବେଣୀ ପରି

ଖେଳି ଖେଳି ଯିବ ଦିନେ ଭାଳି ହେଉଥିବ ଅହରହ ।

ସୀମାହୀନ ମହାମରୁ ବାଲିବନ୍ତ ଯୋଜନ ଯୋଜନ ଧରି,

ନିସ୍ତବ୍‌ଧ ଜୀବନ ଧରି ପଡ଼ି ରହିବାର ପରି,

ତୁମେ ପଡ଼ି ରହିଥିବ ;

ଆକାଶ କହିବ ନାଇଁ କଥା

ପୃଥିବୀ ବୁଝିବ ନାଇଁ ବ୍ୟଥା

ସୀମାହୀନ ବାଲି ଝଡ଼େ ରହିଥିବ ପୋତି ଦେଇ ମଥା

ଦିନ ଦିନ ଧରି ଯେବେ ଜୀବନର ଭିତରେ ବାହାରେ

ଚାରିଆଡ଼େ ଭରି ରହିଥିବ ଅନନ୍ତ ରିକ୍ତତା

କି ସମ୍ପଦ ତହିଁ ଆଶା କରିବାର କଥା !

 

ତୁମେ ସବୁ ରହିଥିବ ସେ କ୍ଷୁଦ୍ର କୁଟୀରେ ସେଇ ଅପନ୍ତରା ଥାନେ

ଜୀବନର ଯେ ସକଳ ଜାଳା ଓ ଯନ୍ତ୍ରଣା

ତୁମେ ଏକା ଦେଖୁଥିବ, ତୁମେ ,ଏକା ବୁଝୁଥିବ

ମରିଗଲେ ମରିଯିବ, ପଡ଼ିଥିଲେ ପଡ଼ିଥିବ, ପାଟି ତୁଣ୍ଡ-

କଲେ ଏକା କରୁଥିବ ବସି ।

ତୁମକୁ କେ, ବୁଝିବନି, ତୁମକୁ କେ’ ଧରିବନି ତୋଳି

ତୁମେ ଯେହ୍ନେ ପୃଥିବୀର ଗୋଟିଏ ଗୋଟିଏ ଜୀବ

ତୁମ ପାଇଁ ଦୟା ଦାନ ସେନେହ ମମତା ମାୟା ଝାରଣାର ଝର

ପୃଥିବୀ ପୃଷ୍ଠରୁ ଚିର ଦିନ ପାଇଁ ହୋଇଛି ଅନ୍ତର ।

 

ତୁମେ ସବୁ ଆସିଅଛ ନାରଖାର ଜୀବନ ଧରି

ତରଳ କୃଶାନୁ -କୁଣ୍ଡେ ପୋଡ଼ି ଜଳି ରହିବାର ପାଇଁ

ତୁମ ପାଇଁ ଆହା କରିବାକୁ ତୁମରି ହୋଇ କେହି ଜଣେ ନାଇଁ ।

 

କେତେ ଚେଷ୍ଟା କରୁଥିବ ଫେରି ଆସିବାକୁ

ସବୁ ଚେଷ୍ଟା ପାଣି ଫାଟି ଯାଉଥିବ ।

ଦୀର୍ଘ ଶ୍ୱାସଟିଏ ଛାଡ଼ି ରହିଥିବ, ଲୋଚିକୋଚି ହୋଇ

ସେଇ ଏକାକୀ କୁଟୀରେ

ସେ ବିଜନ ପଥ ଧାରେ, ଦୂରେ ଦୂରେ ବହୁଦୂରେ;

ମନିଷ ଯିମିତି ହସେ ଖିଲି ଖିଲି ହସ,

ମନିଷ ଯିମିତି କହେ ପ୍ରାଣ କି ମୋହନ କଥା,

ମନିଷ ଯିମିତି ଚାଲେ ପିଇଲେ ମୁକ୍ତିର ମିଠା

ସେ ସବୁ ତ ଦିନୁ ଦିନ ଯାଇଥିବ ମରି ଗୋଟି ଗୋଟି ହୋଇ

ଯେତେ ଚେଷ୍ଟା କଲେ ନାଇଁ ଆସୁଥିବ ଫେରି

କଲବଲ ହୋଇ ବଞ୍ଚି ରହିଲେ ବି,

ଗୋଟିଏ କ୍ଷୀଣ ଆଶାର ଟିକିଏ ଆଲୁଅ

ଜୁଳୁ ଜୁଳୁ ଜଳୁଥିବ, ମନର ଗହୀରେ କାହିଁ

ମୁମୂର୍ଷୁ ଦୀପର ଶିଖା ଜଳିବାର ପରି

ଅଧେ ଧଳା ଅଧେ ପଡ଼ି ନେଳି ।

======

 

 

ବାଧିଥିବ

କା’ କୁଟୀର କୋଟିନିଧି ତୁମେ ଗୋ ବାଳିକା !

ଜୀବନେ ହୋଇନି ତୁମ ତୁଲେ କେବେ ଦେଖା;

ଜାଣିନି କିଏ ସେ ତମେ କିବା ତବ ନାମ

ଜାଣିନି କାହିଛିଁ ଘର, କର କିବା କାମ ?

 

ଏ ବଣ ପାହାଡ଼ ଘେରା ପୁର ପଲ୍ଲୀ ତଟେ,

ନୂଆ କରି ତୁମରେ ମୁଁ ଦେଖୁଚି ଗୋ ସତେ !

ଓଠରୁ ଅମୃତ ହାସ ପଡ଼ୁଅଛି ଝରି

କାଉଁ ତ୍ରିଦିବର ମହା ଆଶୀର୍ବାଦ ପରି !

 

ନୟନର ଚାହାଣିରେ ଅନନ୍ତ ସେନେହ

ବୋଳିବା ଦେଉଚ ତାପ ଦଗଧଧରା ଦେହ !

ସ୍ନାହାନ କରିବା ଲାଗି କୂଅମୂଳେ ଯାଇ,

ପାଣି ଯେବେ କାଢ଼ୁଥିଲି ତର ତର ହୋଇ;

 

ଅଧେ ପାଣି ଆସୁଥିଲା, ଅଧେ ପଡ଼ି କୂଏ,

ତୁମେ କାଢ଼ିଥିଲ ପାଣି ଭରା କଳସିଏ

ଅଧର ମୋହନ ହାସେ ପାଶେ ମୋର ଥୋଇ

କହିଲ ଏଥିରେ ତୁମେ ପକାଅ ଗାଧୋଇ,

 

ପାରିବ କି ଏତେ ପାଣି ଏତେ ଦୂରୁ ଭିଡ଼ି

ବୋହିବ ରକତ ହାତ ପାପୁଲି ଯେ ଛିଡ଼ି ।

ଚାହିଁଲି ଅଦୂରେ ତମେ; ଚକିତେ ଚମକି

ପଚାରିଲି କିଏ ତମେ ମତେ ଚିହ୍ନିଚ କି ?

 

ସସ୍ମିତେ ହେଲ ଗୋ ଠିଆ ଅଜଣା ବାଳିକା !

କିବା ଦର ବିକଶିତ କମଳ କଳିକା !

ତୁମେ ନେଉଥିଲ ପାଣି କୁଟୀରେ ତୁମରି

ମୋରେ କିମ୍ପା ଦେଉଅଛ ସମାଦର କରି ?

 

ଜାଣିଲି ମୋ ଲାଗି ତୁମ କିଶୋରୀ ହୃଦୟ

କିପରି ପାରିଚି ହୋଇ ସରାଗେ ସଦୟ ;

ଆନରେ ଅରପିବାର ହୃଦୟର ଶିରୀ

ଅଯାଚିତେ ଆପଣାରୁ ଆପଣାର କରି,

 

-ଏ ମଧୁ ସମ୍ପଦ କିଏ ପାରିବ ଫୁଟାଇ

ବ୍ୟୋମ ବସୁନ୍ଧରା ଭରି ଯିଏ ନାଇଁ ଶୋହି !

ନାସ୍ତି ଯେବେ କରିଦେଲି, ଦୋ ଦୋ ପାଞ୍ଚ ହୋଇ

କଳସିଟି ଧରି ଠିଆ ହେଲ ମୋରେ ଚାହିଁ

 

କି ବାଣୀ ଅଧରୁ ଫୁଟି, ଫୁଟିଲା ତ ନାଇଁ

ଲାଜେ ଦୁଃଖେ ଚାଲି ଗଲ ମୋରେ ଚାହିଁ ଚାହିଁ;

ତୁମ ସେ ଦାନର କିମ୍ପା କଲି ପ୍ରତ୍ୟାଖ୍ୟନ,

ଢାଳେ ସେ ପାଣିରୁ କରି ଥାଆନ୍ତି ସ୍ନାହାନ ।

 

ପ୍ରତି ଅଙ୍ଗ ଅବଗାହି ସେ ମୋହନ ଜଳେ

ତୁମ ହୃଦମଧୁ ଅନୁଭବି ଥାଆନ୍ତି ଅନ୍ତରେ !

ପଚାରି ଥାଆନ୍ତି ତୁମେ ବିଶ୍ୱେ ମୋହ ପାଇଁ

ରହିଛ ତ କେଉଁଠାରେ ଆପଣାର ହୋଇ;

 

ବୁକୁ ଚିରି ଦେଇଥାନ୍ତି ବିପୁଳ ସମ୍ମାନ

କହିଥାନ୍ତି ଯହିଁ ଥାଅ ତୁମେ ମୋ ଧିଆନ,

କେତେ କାହା ହୃଦୟର ମୋହନ ପରଶ

ରହିଚି ଏ ପ୍ରାଣେ ହୋଇ, ସଜୀବ ସରସ ।

 

କେତେ କା’ ଅମୃତ ଧନେ ହୋଇଚି ମୁଁ ଧନୀ

ହସିଚି ଏ ହିଆ ଭରି ଆକାଶ ଅବନୀ,

ସେ ସକଳ ମେଳେ ତୁମେ ହୋଇଥାନ୍ତ ଜଣେ

ମୋ ହୃଦ ବେଦୀରେ ଶୋହି କନକ ଭୂଷଣେ ।

 

ବାଧିଥିବ ତୁମରେ ଗୋ ବାଧିଥିବ ବହୁ

ଦେଲିନାଇଁ ଲୋଡ଼ିଥିଲ ଯେ ଅମୃତ ମହୁ ।

 

ଆକାଙ୍‌କ୍ଷା

ତୁମରି ଏ ପୃଥିବୀ ଉପରେ ବୁଲାଉଚ ମତେ ଦୟାମୟ !

କେତେବେଳେ ଦେଉଚ ବିଜୟ, କେତେବେଳେ ପୁଣି ପରାଜୟ !

କେତେବେଳେ କନ୍ଦାଉଚ ମତେ, କେତେବେଳେ ହସାଉଚ ତମେ,

କେତେବଳେ କରୁଚ ଭିକାରୀ ଯେବେ ଯାହା ଲୋଡ଼ୁଅଛ ମନେ ।

କେବେ ମୋରେ ହତଭାଗା କରି ବେଦନାର ଅନନ୍ତ ତିମିରେ,

ବୁଲାଉଚ, ଯାଉଚି ମୁଁ ବୁଡ଼ି ଧରଣୀରେ ଶତ ଉଷ୍ଣନୀରେ ।

କେବେ ମୋର ଶିରେ ଜୟପାଟ ବାନ୍ଧି ମୋରେ କରୁଚ ସମ୍ରାଟ,

ସୌଭାଗ୍ୟର ମୃଦୁମନ୍ଦ ହାସେ ଉଛୁଳଇ ମୋ ଜୀବନ ବାଟ ।

 

ତୁମରି ସେ ଅନନ୍ତ ଇଚ୍ଛାରେ ଚାଲିଚି ଏ ମହାବିଶ୍ୱ ସାରା,

ତା’ ଭିତରେ ମୁହିଁ ବି ଚାଲିଛି ମାନି ତବ ଇଙ୍ଗିତ ଇସାରା ।

ଦିନେ ମୋରେ ବୁଲାଇଚ ଏଥିକରି ସୁଖ ଦୁଃଖ ସମାକୁଳ,

ଦିନେ ପୁଣି ନେଇଯିବ ମୋରେ ନ ଫେରିବି ଆଉ ଏଇ ପୁର ।

 

ଜାଣିବନି ମହାପୃଥିବୀର ସାମାନ୍ୟ ମୁଁ କ୍ଷୁଦ୍ର ରେଣୁଟିଏ,

ଅସୀମର ବିପୁଳ ବନ୍ଧନେ ହସି ଖେଳି ଚାଲିଥିଲି ଟିହେ ।

ଜାଣିବିନି ଏଇ ବିଲ ବନ ଗଛ ପତ୍ର ହ୍ରଦ ନଈ ନାଳ,

ସକଳର ତୁଲେ ମୋ ବନ୍ଧନ ଥିଲା କିବା ଗଭୀର ବିଶାଳ !

 

ଜାଣିବିନି ଲକ୍ଷ ନରନାରୀ ଶିଶୁ ବୃଦ୍ଧ ବାଳକର ସହ,

ଥିଲା ମୋର ପ୍ରାଣବନ୍ତ କେତେ ସୁମଧୁର ସ୍ୱର୍ଣ୍ଣ ପରିଚୟ ।

ଜାଣିବିନି ଜାଣିବିନି ତିଳେ କେଉଁ ବନକୁଞ୍ଜ ମାଳେ,

ଦେଖୁଥିଲି ଶଇଳ ସୁଷମା ଶରତର ସାହାହ୍ନ ବିହାରେ ।

 

କେଉଁ ନଈ ସ୍ୱର୍ଣ୍ଣ ସଇକତେ ବସୁଥିଲି ବସନ୍ତ ପ୍ରଭାତେ,

ତଟିନୀର ନୀଳଜଳ ବେଣୀ ଦେଖୁଥିଲି କଳ-ବେଣୁ ସାଥେ ।

ଜାଣିବିନି ଆପଣାର କରି କେଉଁ ତନ୍ୱୀ ସରଗ ସୁନ୍ଦରୀ,

ଯୌବନର ପ୍ରଥମ ସାକ୍ଷାତେ ନେଇଥିଲା ସ୍ୱୟଂବର କରି ।

ଓଠେ ମୋର ପୁଟୁଥିଲା ହାସ ବକ୍ଷେ ମୋର ପୁଲକ ଚଞ୍ଚଳ

ରସନାରୁ ପ୍ରଣୟର ଗୀତି ଉତ୍ସସମ କରିଛି ଉଚ୍ଛଳ ।

ଦୁଃଖେ ମୋର ପାଶେ ବସି କିଏ କହୁଥିଲା ସାନ୍ତ୍ୱନାର ବାଣୀ,

ମୋ ପାଇଁ କା’ ନୟନ ଯୁଗଳ ବହୁଥିଲା ଅସରନ୍ତି ପାଣି ।

 

ସୁଖ ଦୁଃଖ ଭିତରେ ଧରଣୀ ଲାଗୁଥିଲା ମଧୁମୟ ମତେ,

ଧରଣୀରୁ ବଳି ପ୍ରିୟଭୂମି ନାଇଁଥିଲା ମୋହରି ଅଗ୍ରତେ ।

ସବୁମାୟା ସକଳ ମମତା ବରଜି ମୁଁ ଚାଲିଯିବି କାହିଁ,

ତୁମେ ମୋରେ ନେଇ ଯିବ ସଖା ! ଯେବେ ଇଚ୍ଛା ହେବ ପ୍ରାଣସାଇଁ ।

 

କାହିଁପାଇଁ ଆଣିଥିଲ ମତେ କାହିଁପାଇଁ ନେଇଯିବ ମତେ,

ତା’ର ହାୟ ରେଣୁଏ ସନ୍ଦେଶ କହିଲନି ମୋର କର୍ଣ୍ଣଗତେ ।

ସୁଖ ଆଉ ଦୁଃଖର ଭିତରେ ମୋହପାଇଁ ସ୍ୱର୍ଗ ଦେଲ ଗଢ଼ି,

ଯାର ପ୍ରତି ରେଣୁକଣାତକୁ ଜୀବନର ଉତ୍ସ ପଡ଼େ ଝରି ।

 

ସେଇ ସ୍ୱର୍ଗ ସେଇ ସେ ଧରଣୀ ଛାଡ଼ିବାକୁ ହେବ ପୁଣି ସତେ,

ଏ କି ତବ ପ୍ରହେଳିକା ଖେଳ ମୁଁ ତ ବୁଝିପାରେ ନାଇଁ ସତେ !

ବହୁବାର ଆସେ କୌତୁହଳ ସେ ଯେ କେଉଁ ଅଜ୍ଞାତ ରାଇଜେ,

ନେଇ ମତେ ରଖିବ ନୀରବେ ମୁହିଁ ଜାଣି ପାରିବି ନାଇଁ ଯେ ।

 

ବହୁବାର କରଇ କଳ୍ପନା ହୋଇଥିବ ସେ ପୁରୀ କି ଭଳି ?

ମଣିଷର ଅଧରର ଭାଷା ଥିବଟିକି ସେ ରାଇଜ ଭରି ?

ମୁଁ ଗୋ ଚାହେ ଏଭଳି ରାଇଜ ଶୁଣୁଥିବି ଯହିଁ ନିତି କାନେ

ମଣିଷର ମୁଗ୍‌ଧ ଓଠବାଣୀ ସୁଖେ ଦୁଃଖେ ଅଥବା କଲ୍ୟାଣେ ।

ମତେ ବଡ଼ ଭଲ ଲାଗେ ପ୍ରଭୁ ଧରଣୀର ଯେଉଁ ପୁଣ୍ୟ ମାଟି,

ଆକୁଳ ଅଥୟ ଘେନି ମଣିଷର ସୁଖ ଦୁଃଖ ପ୍ରୀତି ।

ମତେ ରଖ ସେଇଭଳି ଥାନେ ମଣିଷର ଦୁଃଖ ଅଭାବରେ

ଅଶ୍ରୁ ଯହିଁ ପାରିବି ମୁଁ ଢାଳି ଅନୁଭବ ପରାଣ ଭିତରେ ।

ଲୋଡା ହେଲା ମଣିଷର ଲାଗି ପାରିବି ମୁଁ ଦେଇ ମୋ ରୁଧିର,

ମଣିଷର ମଙ୍ଗଳ ପାଇଁ ମୁଁ ନାହିଁ ହୁଏ ନିଷ୍କର୍ମା ବଧୀର ।

ମଣିଷର ଆନନ୍ଦ ଭିତରେ ଗଢ ମୋର ଆନନ୍ଦ କୁଟୀର,

ମଣିଷର ବେଦନା ଭିତରେ ଫୁଟାଅ ମୋ ନେତ୍ରୁ ଅଶ୍ରୁ ନୀର ।

ମଣିଷ କେଉଁଠି ପାଏ ଅତ୍ୟାଚାର ପୀଡନ ପେଷଣ,

ସେଠି ଦିଅ ଜନ୍ମ ତାର ଦୁଃଖ ଖଣ୍ଡିବାକୁ ପ୍ରଭୁ ସନାତନ !

ସେଠି ମତେ ସିଂହ ଦିଅ କରି, ଭରି ମହା ସତ୍ୟର ଶକତି,

ମଣିଷର ହୃଦୟ ଭିତରେ ଗଢ ମୋର ଜୀବନ ବସତି ।

ରାଣୀ

ଜୀବନର ପ୍ରଥମ ଯୌବନେ

ଯେତେବେଳେ ଆଣିଥିଲି ବରି,

ମୋ ସକଳ ପଦମର୍ଯ୍ୟାଦାରେ

ଆଖି ବୁଜି ଅନ୍ଧ ସମ

ନିର୍ମମ କୁଠାରାଘାତ ବାରବାର କରି,

ସେତେବେଳେ ମୁଁ ତୁମକୁ ପାଇଥିଲି ଭଲ

ହୋଇ ଆତ୍ମହରା

ତୁମେ ଅବା ତୁମ କୁଟୀରର

କେହି ହେଲେ,

ବୁଝି ତ ନଥିଲ ମତେ,

କାଚ ଅବା ହୀରା,

 

ବକ୍ଷ ଭରି, ତୁମରି ଆତ୍ମୀୟ ସ୍ୱଜନ

କେହି ଜଣେ ମତେ

ଆଦର ଗୌରବ କରି

ମୋ ଦରିଦ୍ର ଜୀବନର ପଥେ

ବୁଣି ତ ନଥିଲେ ପୁଷ୍ପ

ମୁଠା ମୁଠା କରି,

ବିସ୍ମୟ ସନ୍ଦେହ

ଅବଜ୍ଞାର ନେତ୍ର ବେନି ଢାଳି,

ମୋରେ ରହିଥିଲେ ଚାହିଁ;

ମୁଁ ତୁମରେ

ପ୍ରସାରି ମୋ ସରଳ ଅନ୍ତର

ନେଇଥିଲି, ସୋହାଗେ ବନ୍ଦେଇ ।

ଆଉ ତୁମେ ?

ସରଳ ନିଷ୍ପାପ ପ୍ରାଣ

ଧରଣୀର ସବୁ ଛନ୍ଦ କପଟର

ମହା ଦୂରେ ରହି,

ମୋରେ ପାରି ତ ନଥିଲ ବୁଝି,

ବୁଝିବାକୁ

ବିରାଟ ପ୍ରତିକ୍ଷା

ଉଙ୍କି ମାରୁଥିଲା ତବ-

ସ୍ୱର୍ଣ୍ଣ ବୁକୁ ତଳ ଶେଯେ

ଊର୍ମି ସମ ଶୋଇ,

କେତେ ଝଡ଼ କେତେ ଝଞ୍ଜା

କେତେ ଯେ କୁଳିଶ

ବୋହି ଗଲା ମୋର ଦେହେ ମନେ,

ଟିକିଏ ଆଶ୍ୱସ୍ତିର

ପ୍ରାଣ ବିମୋହନ ବାଣୀ

ଦେଲାନାଇଁ କେହି;

ଦେଲ ନାଇଁ

ମୋର ହୋଇ ମଧ୍ୟ ତମେ !!

 

ଭାଳି ଥିଲି ତମେ ଯେବେ

ଗୋଟିଏ ନିମେଷ,

ବକ୍ଷ ଭରି

ମୋହ ପାଇଁ

ମୋ ମାନ ସମ୍ମାନ ପାଇଁ

ମୋ ନିସ୍ପେଷିତ ଅନ୍ତରର

ଗୋଟିଏ ଲୋତକ ପାଇଁ

କହିଥାନ୍ତ

ପଦେ ମାତ୍ର ବାଣୀ

କରି ପ୍ରତିବାଦ,

ପାଇଥାନ୍ତି ଅମୃତ ଆହ୍ଲାଦ !

ତୁମେ ମଧ୍ୟ

ମେଘାଚ୍ଛନ୍ନ ଆକାଶର,

ଚନ୍ଦ୍ରମାଟି ପରି

ମୋହ ପାଇଁ ନିଭିଗଲ

ବଞ୍ଚନ୍ତି ମୁଁ କାହା ଆଶ୍ରା ଧରି ?

ତା’ ପରେ ଆସିଲ ତମେ,

କିପରି ଆସିଲ ?

ଜାଣି ମଧ୍ୟ

ଜାଣିପାରେ ନାଇଁ;

ତମେ ବୋଧେ

କେଉଁ ମହା ଅନ୍ତରାଳୁ

ଆସିବାକୁ ମୋହ ଲାଗି

କେଉଁ ଅଜ୍ଞାତ ଜୀବନ ଠାରୁ

ନିମନ୍ତ୍ରଣ

ପାରିଥିବ ପାଇ !

 

ମୁଁ ତୁମରେ ପାଇବାକୁ,

କରିବାକୁ ହୃଦୟର ରାଣୀ,

କି ଉତ୍କଣ୍ଠା

ବହିଥିଲି ଦିନ ଦିନ ଧରି,

ଦୁଃଖ ଅଶ୍ରୁ ଅପମାନ ଅବମାନ

ନେଇଥିଲି ବରି,

ଛାତିକୁ ଇସ୍ପାତରୁ ବଳି

ଆହୁରି କଠିନ କରି,

 

ତୁମ ଛଢ଼ା

ତୁମରି ଅନ୍ତର ଛଡ଼ା

ଆଉ କିଛି

ନ ଥିଲି ମୁଁ ଲୋଡ଼ି;

 

ତୁମେ ବୋଧେ

ସେଇ ଅମୃତ ଅନ୍ତର ଧରି

ମୋ କୁଟୀର

ମୋ ଅନ୍ତର

ଉଛ୍ୱସିତ ଆଲୋକିତ କରି,

ଆସିଲ ଆସିଲ ତମେ !

ସକଳ କଳୁଷ ଅନ୍ଧାର

ଦୂରେ ଦୂରେ ଛାଡ଼ି;

ତୁମରି ଅନ୍ତର ମୋର

ଚିରନ୍ତନ ସମ୍ପତ୍ତି ଓ ବାଡ଼ି;

 

ନରକରୁ ସରଗର ପାରିଜାତ,

ଦେବତା ମୁଁ ଦେଖିଥିଲି,

ଖୋଜୁଥିଲି,

ପାଇଗଲି ହାତେ;

ତୁମେ ମଧ୍ୟ

ହେବା ପାଇଁ

ମୋହ ହାତେ ଢଳ ଢଳ

ହେଉଥିଲ ଉନ୍ମନ ଚଞ୍ଚଳ !

କିନ୍ତୁ କେଉଁ ନର୍କ ଗାତେ

ପେଡ଼ିପେଷି

ଚିପି ଚାପି ହୋଇ

ରହିଥିଲ ସୀମାହୀନ-

କଠୋର ଆଘାତେ !

 

ଆଜି ତୁମେ ପାରିଜାତ ରାଣୀ !

ମୁଁ ତୁମର ଦେବତା,

ମୁଁ ତୁମର ରାଜା,

ଶିରେ ବହି ବକ୍ଷେ ବହି,

ଆଜି ମୁଁ ତୁମରେ,

ହସି ଉଠେ, ନାଚି ଉଠେ,

ଗାଇ ଉଠେ ଗାନ

ଅଥୟେ ଚଞ୍ଚଳେ ।

କିନ୍ତୁ,

ଯେଉଁ ଅଶ୍ରୁ ଅପମାନ

ମୋର ପ୍ରତି ଧମନୀର

ଶୋଣିତେ ଶୋଣିତେ

ଯାଇଛି ସଞ୍ଚରି

ପାରି ନାଇଁ ମରି;

ବେଳେ ବେଳେ

ବଜ୍ରଠୁ ବଳି

କଠୋର ଆଘାତ

ଦେଇଯାଏ ମୋତେ,

ଏ ଆଘାତ ମୋର

ତୁମକୁ ତ ବାଧୁଥିବ ସତେ !

 

ଆଗୋ ମୋର ପାରିଜାତ ରାଣୀ !

ମୁଁ ତୁମରେ

ଜନ୍ନ ଜନ୍ମ ଯୁଗ ଯୁଗାନ୍ତର ଧରି

ଦେବି ନାଇଁ,

ପାରିବିନି ଦେଇ,

ବ୍ୟଥା ଅପମାନ,

ତୁମ ଘେନି

ମୋହର ସମ୍ମାନ

ତୁମ ଘେନି

ବିଜୟ ବିପୁଳ ଶଙ୍ଖ

ବାଜେ ମୋର ପୁରେ;

ମୁଁ ତୁମଠୁ

ଗୋଟିଏ ନିମେଷ

ରହି ପାରିବିନି ଦୂରେ ।

 

ମୋର ଦୁଃଖ

ମୋର କଷ୍ଟ ମୋର ଅପମାନ ଲାଗି

ମୁହିଁ ଦାୟୀ,

ମୋର ସରଳ ସୁନ୍ଦର ଅନ୍ତର

ଦାୟୀ; ନୁହ ତମେ !

ତୁମେ ପାରିଜାତ ପାରିଜାତ

ଖାଲି ପାରିଜାତ !

ଫୁଟ ମୋର

ହୃଦୟର ଏ ମରୁ କାନନେ !

ଗନ୍ଧ ଦିଅ

ବର୍ଣ୍ଣ ଦିଅ !

ମଳୟର ମୃଦୁଳ ହିଲ୍ଲୋଳେ

ନାଚି ଉଠ

ଅନନ୍ତ ସପନେ !

 

ମୋ ଆଖିରୁ ଅଶ୍ରୁ ଝରୁ,

ସେଇ ଅଶ୍ରୁ

ପାଖୁଡ଼ା ପଣତ ଚାଳି

ପୋଛି ଦିଅ ତମେ !

ସେଇ ମୋର

ଆନନ୍ଦର ପଥ;

ଜନମ ଜନମ ଧରି

କାନ୍ଦୁଥାଏ ମୁହିଁ,

ମୋର ଦୁଃଖ ନାଇଁ,

ତୁମେ ଅଛ ମୋହ ପାଇଁ ।

ପ୍ରାଣ ଦେଇ

ପାଇଚି ହୃଦୟ

କେମନ୍ତେ ଗୋ

ହେବ ନିରଦୟ ?

ଶତ ଜନ୍ମ ବିତି ଯାଉ,

ମୁଁ ତୁମର ତମେ ମୋର

ପ୍ରାଣର ନିର୍ଭର

ଅମୃତ ବିଜୟ !

---

 

ଏଥର ନାହାନ୍ତି ଆଣି !

ସେ ଦିନ ମୁଁ ଗୃହେ ଯେବେ ଆସୁଥିଲି ଫେରି

ସୁଦୂର ପ୍ରବାସ ପଥୁଁ, ନ ଥିଲା ମୋ ମନେ,

ମୋ ଶିଶୁ କନ୍ୟାଟି ପାଇଁ କିଛି ନେବି କିଣି

କୋରା ବା କଦଳୀ ତା’ର ମନ ଆହ୍ଲାଦନେ ।

 

କୁଟୀରେ ପହଞ୍ଚି ସାରି ମାନ୍ୟ ଯଥାବିଧି,

ଜଣାଇ ମୋ ଗୁରୁଜନେ, ଅଙ୍ଗରେଖା କାଢ଼ି

ରଖିଲଇଁ କାନ୍ଥେ ଟାଣି; ମୁହଁ ହାତ ଧୋଇ

ବସିଲି, କୁଶଳ ପ୍ରଶ୍ନ ସୋହାଗେ ପଚାରି ।

 

ଏସନ ସମୟେ କିଏ ସ୍ୱର୍ଣ୍ଣକର ଦୁଇ

ସ୍କନ୍ଧେ ମୋର ଥାପି, ମୋରେ ମନ ପରସନେ

ପଚାରିଲା, ‘‘ନନା ତୁମେ ଆସିଲ ଇ’ଲାଗେ,

ଆଣିଚ ମୋପାଇଁ କିସ ?’’ ଭାଳିଲଇଁ ମନେ-

 

ଆସିଲ ମୁଁ ତୁଚ୍ଛା ହାତେ, ଦରିଦ୍ର କବିର

ନ ଥିଲା ପଇସା ଦୁଇ, କୋରା ବା କଦଳୀ

ଆଣିବାକୁ ବାଟୁ କିଣି ? କହିଲି ମୁଁ ତାରେ

‘‘ତୋ ଲାଗି ଆଣିବି କୋରା କାଲି କେତେଭଳି ।’’

 

ମନ କି ମାନଇ ତା’ର ଶୁଷ୍କ ଏ ବାଣୀରେ ?

ତା’ ଟିକି ଅନ୍ତର ତଳେ ଯେ ଟିକକ ଆଶା

ତୃପ୍ତ କି ପାରଇ ଲଭି ? ପଚାରିଲା ପୁଣି

‘‘ସତେ କି ଆଣିନ ନନା ?’’ କି କରୁଣ ଭାଷା !

ଯେତେ ଯାହା ପରିଚ୍ଛଦ କାନ୍ଥେ ଝୁଲୁଥିଲା ।

ମୁଣିସବୁ ଦେଖିଗଲା ସତୃଷ୍ଣ ନୟନେ,

ତା’ ଟିକି ଅଙ୍ଗୁଳ ଚାଳି, କାଳେ ଥିବ ଆଣି

ମୁହିଁ ଯେ କରୁଛି ଲକ୍ଷ୍ୟ ବସି ଅନ୍ୟମନେ !

 

ନିରାଶେ କହିଲା ତା’ର ଶିଶୁ ଓଠ ଫେଇ

‘‘ ଏ ଥର ନାହାନ୍ତି ଆଣି ’’ ନିଜକୁ ଯେ ନିଜେ ।

ନୌରାଶ୍ୟ କାରୁଣ ବୋଳା ଦରୋଟି ବଚନ

ମୋ ବକ୍ଷେ ରହିଲା ଲେଖା ଅଜାଣତେ ମୋର;

‘ ଏଥର ନାହାନ୍ତି ଆଣି ’ ସୁଦୂର ପ୍ରବାସେ

ଯେବେ ମୁଁ ଭାଳଇ କେବେ ନୀରବେ ନିଜନେ

ମୂର୍ତ୍ତି ତା’ର କଥା ତା’ର ଆଖି ଆଗେ ଦିଶେ

ଦିଶେ କେହ୍ନେ ଅଳି କଲା ମନ ପରସନେ,

ଦିଶେ କେହ୍ନେ ଗୋଟି ଗୋଟି ଖୋଜିଗଲା ମୋର

ଶୂନ୍ୟ ସେ ସକଳ ମୁଣି କୋଟି କାମିଜିର,

ନିରାଶ ଅଧରୁ ତା’ର କେହ୍ନେ ଫୁଟିବାର

‘ ଏଥର ନାହାନ୍ତି ଆଣି ’ ସକରୁଣ ଗୀର !

ସାମାନ୍ୟ ସେ କୋରା ପ୍ରତି ରେଣୁକଣା ମେଳେ

ଦେଖିଥାନ୍ତା ପିତୃସେହ ଉଦାର ବିମଳ,

କାଲି କିଣା ହେବ କେତେ କୋରା ତାହାପାଇଁ

ତହିଁରେ କି ଥିବ ଆଜି ଦିନର ଆଦର !!

 

ମ।ଆର ମାୟା !

ଭଳିଆ ସୁନାର ପତୁରି ମାଳଟି

ପିନ୍ଧିଥିଲେ ଯାହା ଜନନୀ ଗଳେ

ବନ୍ଧା ଦେଇ ଟଙ୍କା ଚାଳିଶ ଆଣିଲେ

ପୁଅ ଯିବ ବୋଲି କଟକ ପୁରେ ।

ପରୀକ୍ଷାର ଦିନ ନିକଟାଇ ଆସେ

ପୁଅ କହେ ‘ବୋଉ ଟଙ୍କାତ ନାଇଁ

କିଭଳି ମୁଁ ଯିବି କଟକ ମୂଲକେ

ଡ଼ି:ଇଡ଼ି: ପରୀକ୍ଷା ଦେବାର ପାଇଁ ।’

 

‘ଯିବୁ ଧନମାଳି ! ଯିବୁରେ କଟକ

ପରୀକ୍ଷା ତୁ ଦେବୁ ଯିମିତି ହେଲେ,

ବାପ ଭାଇ ତୋର ନାହାନ୍ତି ବୋଲିକି

ନାରଖାର କରି ରଖିବି ତୋରେ !

ଜନମରୁ ତୋରେ ପାଳି ମୁଁ ଆଣିଚି

ଏଇ ହାତେ କରି ଏଡ଼େରୁ ଏଡ଼େ !

କେତେ ଦେଉ ସହି ଆସିଚି ତୋ’ ଲାଗି

ଏ ଦୁଖଟିକ ବା ମୋ ପାଖେ କେଡ଼େ ?’

 

‘ଯିବା ଦିନ ହୁଏ ନିକଟୁ ନିକଟ

ପାଠତକ ଯାହା ଦେଲିଣି ପଢ଼ି,

ମୋ ପାଖେ ତ ନାଇଁ କାଣି କଉଡ଼ିଏ

ଚଳୁଛେ କେତେଠୁ କରଜ କରି ।

ଏ ମାସେ ଦରମା ଡେରିରେ ମିଳିବ

ଏବେ ମିଳିଥିଲେ ପାରନ୍ତି ଯାଇ,

ହାତ ପତାଇ ମୁଁ କାହାରେ ମାଗିବି ?

ଯାହାରେ ମାଗିଲେ କରନ୍ତି ନାଇଁ ।’

 

‘ଯିବୁ ଧନମାଳି ! ଯିବୁରେ କଟକ

ବିଦେଶ ଭୂଇଁ ଏ ସଭିଏ ପର,

କାହାକୁ ମାଗିଲେ କିଏ ସେ ଦେବ ବା

ପର ପାଇଁ କାନ୍ଦେ ହୃଦୟ କାର ?

ପର ପାଇଁ ସହିଚି କେତେ ଯେ ଯାତନା ।

ରହିଚି ତୋ ପାଇଁ ଜୀବନ ଧରି,

କେସନେ ସହିବି ଏ ଭେଣ୍ଡା ବୟସେ

ନେତ୍ରୁ ତୋର ଲୁହ ପଡ଼ିଲେ ଝରି !’

 

‘ରାତି ନାହିଁ ପାଉ କାଲି ପାହାନ୍ତାରୁ

ଯିବାକୁ ଅଛି ମୁଁ ଯିବଇ ଚାଲି,

ନ ଯାଇ ପାରିଲେ ପରୀକ୍ଷା ଦେବିନି

ପୁଣି ଆଊ କେବେ; ବାଧିବ ଭାରି ;

ଶହେ କୋଶ ଏଥ କଟକ ମୂଲକ

କେତେ ବନ ବିଲ ପାହାଡ଼ ପାରେ

ପାଖ ହୋଇଥିଲେ ଚାଲି ମୁଁ ଯାଆନ୍ତି

ଭାଳେଣି ଏତେ କି କରନ୍ତି ବାରେ ?’

 

‘ଯିବୁ ଧନମାଳି ! ଯିବୁରେ କଟକ

ହେଉ ଶହେ ଅବା ଦୁଇଶ କୋଶ,

ଧନ ନାଇଁ ଥିଲେ ମନ ତ ରହିଚି,

ଅଟକି ଯିବ କି ପରାଣ ଶୋଷ ?

ବାଡ଼ି ଗୋବାରେ ତ ଗୋବାଏ ତୋ ବାପ

ରଖିନି ତୋ’ଲାଗି ଯିବାକୁ ଚଳି,

ବାଳୁତୁ ତୋରେ ମୁଁ ନିରେଖ କରିନି

ଏବେ ନିରେଖ କି ପାରିବି କରି ?’

 

‘ଯିବ କାଲି ବୋଉ ! ଯିବି ମୁଁ କଟକ

ବାନ୍ଧି ରଖିଲିଣି ଗଣ୍ଠିଲି ପେଡ଼ି,

କିଭଳି ଯିବି ମୁଁ ଭାଳି ହୁଏ ଖାଲି

କି ଲାଭ ଯିବାରେ ହେଲେକ ଡ଼େରି ?

ଜୀବନର କେତେ ଆଶା ଅଭିଳାଷ

ଫୁଟି ଫୁଟି ଯିବ ମଉଳି କାହିଁ,

ଦୁଖୀ କୁଡ଼ିଆରେ ଜନମ ତ ହେଲା

ଏତେ ଆଶା ଜାଗେ କେଉଁଥି ପାଇଁ ?

‘ ଯିବୁ ଧନମାଳି ! ଯିବୁରେ କଟକ

କି ପାଇଁ ଭାଳେଣି କରୁଚୁ ଏତେ,

ଯେତେ ବଡ଼ ଆଶା ରୋପିଚୁ ପରାଣେ

ରୋପି ରଖି ଥାଆ ପାରୁଛୁ ଯେତେ;

ଯେତେ ଦିନ ଥିବ ଜୀଇଁ ଏ ଜୀବନେ

ଜୀଇଥିବି ଏକା ତୋହରି ପାଇଁ,

ଜୀଇଥିଲା ଯାଏଁ ଗୋଟିଏ ଆଶା କି

ତୋ ପରାଣୁ ଯିବ ମଉଳି କାହିଁ ?’

 

‘ଯିବି ମୁଁ କଟକ ଯିବି କାଲି ବୋଉ !

ପାଟି ଚିପି ମାରି ପେଟର ଭୋକ,

ରହନ୍ତି ସେଠି ମୁଁ ଦିଅନ୍ତି ପରୀକ୍ଷା

ମିଳିଗଲେ ବାଟ ଖରଚତକ !

କିଏ କେତେ ଥିବେ ରାଜସନମାନେ

କି ଲାଭ ମୋର ବା ସେ ସବୁ ଭାଳି ?

ଦୁଖୀ ଘରେ ଯେବେ ଜନମ ପାଇଚି

ନାଇଁ ପାଏ ସୁଖ ସଂପଦ ଶିରୀ !’

 

‘ଯିବୁ ଧନମାଳି । ଯିବୁରେ କଟକ

ରଜାର କୁମର ବଳି ତୁ ବଡ଼,

ମାନହୀନ ହୋଇ ରହିବୁ କିପରି ?

ଜନମ କଲା ମୁଁ ରହିଚି ତୋର !

ମୁଁ ଆଖି ବୁଜିଲେ କିପରି ରହିବୁ

ମୁହିଁ ସିନା ଦେଖି ପାରିବି ନାଇଁ

ଜୀଇଥିଲା ଯାକ କିଏ ଅଛି ତୋରେ

ହୀନମାନ କରି ଦେଖିବା ପାଇଁ ?

 

‘ଯିବି କାଲି ବୋଉ ଯିବି ମୁଁ କଟକ

ମୋ ପାଇଁ କି ଟଙ୍କା ଠିକଣା କଲୁ ?

କିଭଳି ମୁଁ ସତେ ତୁଚ୍ଛା ହାତୁଟାରେ

ଗୋଡ଼ କାଢ଼ି ଯିବି କାଲି ଏ ଘରୁ ;

କାଲି ରାତି ପାଇ ସକାଳ ତ ହେବ,

କାଲି ଏତେବେଳେ କଟକ ପୁରେ

ରହି ମୁଁ ଥିବି କି ? ଅଭାବ ପଡ଼ିଲେ

କେତେ ଛଟପଟେ ପରାଣ ମରେ !’

 

‘ଯିବୁ ଧନମାଳି ! ଯିବୁରେ କଟକ

କାଲି ଏତେବେଳେ କଟକେ ଥିବୁ

କାହିଁ ପାଇଁ ଏତେ ବିଥେଇ ହେଉଚୁ

ଯେତେ ଟଙ୍କା ଲୋଡ଼ା ନବୁରେ ନବୁ !

କେତେ ଦୁଖେ ତୋରେ ପାଳି ଆଣିଚି ମୁଁ

ଯେତେ ଦୁଖ ପଡ଼ୁ ହେବି ମୁଁ ସାହା !

ତୋ’ ଲାଗି ମୋ ତେତ୍ରୁ ଲୁହ ଝରି ପଡ଼ୁ

ତୁ ସୁଖ ସମ୍ପଦେ ଥାଆରେ ଥାଆ !’

 

‘ଯିବି କାଲି ବୋଉ ! ଯିବି ମୁଁ କଟକ

କେତେ ହଇରାଣ କରୁଚି ତୋରେ

ତୋ ପାଇଁ ମୁଁ ତିଳେ ହଇରାଣ ହେଲେ

କି ଶିରୀ ପାଆନ୍ତି ଧରଣୀ ତଳେ !

କେତେ ଅଚାନକ ଆସିଚି ଜୀବନେ

କେତେ ଅଚାନକ ଆସିବ କାହିଁ,

କି ଦମ୍ଭ ଛାତି ତୁ ପତାଇ ରଖିଚୁ

ଚିର ଦିନ ଧରି ମୋହରି ପାଇଁ !

 

‘ଯିବୁ ଧନମାଳି ! ଯିବୁରେ କଟକ

ଦେଉଚି ନେଏ ଏ ଟଙ୍କା ଦି’ କୋଡ଼ି

ପେଟ ଊଣା କରି ଚଳିବୁନି କେବେ,

ଲେଖିବୁ ନିଅଣ୍ଟ ଗଲେରେ ପଡ଼ି;

ହାତ ପାତି କାରେ ମାଗିବୁ ନାଇଁଟି

ନାଇଁ ଯେବେ କିଏ ଦେବେଟି କରି

କାନ୍ଦି ଉଠିବ ତୋ ପରାଣ ଟିକକ,

କୋହ ଲୁହ କେତେ ପଡ଼ିବ ଝରି !’

 

ଯିବି କାଲି ବୋଉ ! ଯିବି ମୁଁ କଟକ

କାହିଁ ତୋ ବେକର ପତୁରି ମାଳ ?

ମୋ ଲାଗି ପ୍ରାଣକୁ ଛଡ଼ାଇଚୁ ପାଣି

ମୋ ଲାଗି ସହୁଚୁ ବେଦନା ଭାର ।

ପହିଲି ପାଳି ତୁ ଆସିବାର ବେଳେ

ପିନ୍ଧି ଆସିଥିବୁ ମାଳଟି ସେଇ

ସେଦିନୁ ଏ ଯାଏଁ ରଖିଚୁ ସାଇତି

ମୋହ ଲାଗି ବନ୍ଧା ପାରିଚୁ ଦେଇ !’

 

‘ଯାଆ ଧନମାଳି ! ଯାଆରେ କଟକ

ତତେ କିସ ଅବା ମିଳିବ ତହୁଁ ?

ତୋ ସୁଖ ସରାଗ ଲାଗି ଏ ଜୀବନ

ତା’ ତହୁଁ କି ସୁଖ ମଞ୍ଚେ ମୋ ଆଉ ?

ତୋ ଲାଗି ଯେବେ ଏ କୁଟୀର ହସିବ

ମାନ ସନମାନ ବିଭବ ଧରି

ଲକ୍ଷେ ଟଙ୍କା ଟେକ ସେଇ ମୋ ଜୀବନେ

ସେଇଟିକ ଚାହିଁ ଯାଏ ମୁଁ ମରି !’

 

ଗୃହିଣୀ-ପ୍ରିୟା

ସେ’ ଯେ ମୋହରି ଗୃହିଣୀ ବଧୂ, ସେ’ ଯେ ମୋହରି ପ୍ରିୟା

ସାରାଟି ଦିନ ଏ ଘର ପାଇଁ ଆକୁଳ ତାର ହିଆ !

ସକାଳୁ ଉଠି ବାସି ପାଇଟି,

କରଇ ପରା ନିଇତି ନିତି !

ପାଣି ସେ ଆଣେ ଭାତ ବସାଏ ଚୂଲିରେ ଦେଇ ନିଆଁ,

ସେ’ ଯେ ମୋହରି ଗୃହିଣୀ ବଧୂ ସେ ଯେ ମୋହରି ପ୍ରିୟା ।

 

ଶଶୁର, ଶାଶୁ, ଜାଆ, ଦିଅର, ଆପଣା ପ୍ରିୟ ପତି

ସବୁରିଙ୍କି ବାଢ଼ଇ ଭାତ ଆଦର କରି ଅତି;

ଅଇଁଠା କଂସା ଦିଅଇ ମାଜି,

ସାଧକ ପରି ନୋହି ଅରାଜି !

ସକାଳୁ ରାତି ପହରେ ଯାଏଁ କାମରେ ତା’ର ମତି,

ଶଶୁର, ଶାଶୁ, ଜାଆ, ଦିଅର ଆପଣା ପ୍ରିୟ ପତି ।

 

ସବୁରି ଶେଷେ ଦିଇଟା କଣ ତୁଣ୍ଡେ ଦିଏ ଥୋଇ

ଗୋରୁ ଆହାର ପାଇଁକି ଯାଏ ବାଡ଼ିକି ପାଣି ବୋହି,

ସନ୍ଧ୍ୟା ହେଲେ ସନ୍ଧ୍ୟା ଦିଏ,

ସବୁରି ହିତ ମନାସୁ ଥାଏ !

ନିଜର ସୁଖ ସୁବିଧା କଥା ମନରେ ଆଣେ ନାଇଁ

ସବୁରି ଶେଷେ ଦିଇଟା କଣ ତୁଣ୍ଡେ ଦିଏ ଥୋଇ !

 

ପୁନିଅ ପର୍ବ ପଡ଼ିଲେ ଘରେ ହୃଦୟ ଉଠେ ହସି,

ଘରର କିଏ ବିଦେଶେ ଥିଲେ ମନଟି ଯାଏ ଲସି !

ସବୁରି ପାଇଁ ବକ୍ଷ ତା’ର

ଭାଳଇ ପରା ବାରମ୍ବାର !

ସେ’ ଯେ ଲକ୍ଷ୍ମୀ ଅନ୍ନପୂର୍ଣ୍ଣା କୁଟୀରଟିର ଶଶୀ !!

ପୁନିଅ ପର୍ବ ପଡ଼ିଲେ ଘରେ ହୃଦୟ ଉଠେ ହସି !

 

ରୋଗରେ କିଏ ବ୍ୟସ୍ତ ହେଲେ କୁଟୀର କଣେ ପଡ଼ି,

ପଥି ପାଚନ ସିଝାଇ ଦିଏ ହେଳା ଯେ ନାଇଁ କରି

ଆର୍ଦ୍ର କରି ନୟନ ପତା,

ଡାକଇ କେତେ ଦିଅଁ ଦେବତା !

‘‘ପ୍ରଭୁ ହେ କିଆଁ ଶୁଣୁନ ହୋଇ କରୁଣାମୟ ହରି !’’

ରୋଗରେ କିଏ ବ୍ୟସ୍ତ ହେଲେ କୁଟୀର କଣେ ପଡ଼ି !

 

ଯେ ଯାହା ଦିଏ ଗଞ୍ଜଣା ସେ ପାଷାଣ ପରି ସହେ,

ଆଖିର ଲୁହ ଆଖିରେ ମରି ତୁନିଟି ହୋଇ ରହେ,

ଲେଉଟ ବାଣୀ କହେନି କାରେ

ସକଳ ଦୁଃଖ ଯାତନା ଭାରେ;

ଦିନକୁ ଦିନ ଯାହା ତା’ କାମ ନଈଟି ପରି ବହେ;

ଯେ ଯାହା ଦିଏ ଗଞ୍ଜଣା ସେ ପାଷାଣ ପରି ସହେ !

 

ବନ୍ଧୁ ଯେବେ ଦୂର ଓ ପାଖୁ କୁଟୀରେ ଆସେ କେହି,

ଚରଣ ତା’ର ପଡ଼େନି ତଳେ ଚରଚା କରେ ସେହି;

କିଭଳି କିଏ ରହିଚି ଘରେ,

ଖବର ନିଏ ଆକୁଳ ଭରେ,

ଚିତ୍ତ ତା’ର ଆତୁର ସବୁରି ସୁଖ ଓ ଦୁଖ ନେଇ !

ବନ୍ଧୁ ଯେବେ ଦୂର ଓ ପାଖୁ କୁଟୀରେ ଆସେ କେହି !

 

ଭିକାରୀ ପିଲା ଦୁଆରେ ଯେବେ ଚାଉଳ ମାଗି ଆସେ,

ହୃଦୟ ତା’ର କାନ୍ଦି ଉଠେ କରୁଣ ତା’ର ଭାଷେ;

ଆଦର କରି ଭିକ୍ଷା ଦିଏ,

ପଚାରେ ତା’ର ବାପ ମା’ କିଏ ?

କିଭଳି ଚଳେ ଦିଇନି ଭରେ ଦରିଦ୍ର ତା’ ବାସେ,

ଭିକାରୀ ପିଲା ଦୁଆରେ ଯେବେ ଚାଉଳ ମାଗି ଆସେ !

 

 

ସାଇ ଭିତରେ କାହାର ପିଲା ନ ଖାଇ ଥିଲେ ଭାତ,

କାହାର ପିଲା ରୋଗରେ ଯେବେ ଥାଏ କତରା ଗତ,

ଖୁଆଏ ଭାତ କାହାକୁ ଡାକି,

କାହାକୁ ରଖେ ବକ୍ଷେ ଯାକି !

ଜନନୀ ତା’ର ବକ୍ଷ ତଳେ ନିତି ଯେ ଜାଗ୍ରତ !!

ସାଇ ଭିତରେ କାହାର ପିଲା ନ ଖାଇ ଥିଲେ ଭାତ,

 

ନିଜର ଯେବେ ହୁଅଇ ଜର ଥରଇ ଦେହ ତାପେ,

ସେଥିକି ସେତ ଡରଇ ନାହିଁ କାମଟି କରେ ଆପେ ।

ନିଜର ଦେହ ପାଆକୁ ଲବେ,

ଭାଳେଣି ପରା ନ ଥାଏ ଭବେ

ନିଜେ ସେ ଚଳି ଚଳାଏ ଘର ଗୋଟିକୁ ଜର କୋପେ

ନିଜର ଯେବେ ହୁଅଇ ଜର ଥରଇ ଦେହ ତାପେ;

 

ସିଏ ଯେ ମୋର ଗୃହିଣୀ ବଧୂ ସିଏ ଯେ ମୋର ପ୍ରିୟା,

ସାଧନା ବଳେ ବିରାଟ କରି ଗଢ଼ିଚି ତାର ହିଆ;

ସିନ୍ଦୂର ତା’ କପାଳେ ଥିଲେ

ପରୁଆ ତା’ର ନାହିଁଛି ତିଳେ;

ଧରଣୀ ତୀରେ ଆହ୍ଲାଦରେ ଥାଏ ସେ ହୋଇ ଠିଆ ।

ସିଏ ଯେ ମୋର ଗୃହିଣୀ ବଧୂ ସିଏ ଯେ ମୋର ପ୍ରିୟା !

 

ସିଏତ କେବେ ଲୋଡ଼ଇ ନାଇଁ ହେବାକୁ ରାଜରାଣୀ,

ସିଏ ତ କେବେ ଲୋଡ଼ଇ ନାଇଁ ହେବାକୁ ମହାଜ୍ଞାନୀ;

ହାତର କାଚ ହାତରେ ଥାଉ

ପିଲାଙ୍କୁ ଚାହିଁ ଜୀବନ ଯାଉ,

ଜୀବନସାରା ଥାଉ ସେ ହୋଇ ସବୁରି ହିତକାମୀ

ସିଏ ତ କେବେ ଲୋଡ଼ଇ ନାଇଁ ହେବାକୁ ରାଜରାଣୀ ।

 

ସିଏ ତ କେବେ ଲୋଡ଼ଇ ନାଇଁ ତ୍ରିତଳ ସୌଧ ବାସ,

ପୋଇଲି ପରିବାରଙ୍କ ମେଳେ ରହିବା ଅଭିଳାଷ !

ଟଙ୍କା ସୁନା ଅଳଙ୍କାର

ସେ ଯେ ହୃଦୟ ଅହଂକାର

ଚାହିଁନି କେବେ ମରମେ, କେତେ ବିତିଛି ଦିନ ମାସ,

ସିଏ ତ କେବେ ଲୋଡ଼ଇ ନାଇଁ ତ୍ରିତଳ ସୌଧ ବାସ ।

 

ହୃଦୟ ଗୋଟି ସ୍ୱଚ୍ଛ ତା’ର ଦୟା ଓ ଧର୍ମ ଦାନେ

ଦେବୀ ପରି କି ଦୀପ୍ତି ଆହା ଖେଳଇ ତା’ର ପ୍ରାଣେ !

ସେ ଯେବେ ଥାଏ କୁଟୀର ପୁରେ

ରଜା ଉଆସ କିବା ତା’ ତୁଲେ !!

ସରଗ ଆଭା ଫୁଟଇ ମୋର କୁଟୀର ପ୍ରତି ଥାନେ,

ହୃଦୟ ଗୋଟି ସ୍ୱଚ୍ଛ ତା’ର ଦୟା ଓ ଧର୍ମ ଦାନେ ।

 

ଏତିକି ଆଶା ଏତିକି ଲକ୍ଷ୍ୟ ଜୀବନେ ତା’ର ଖାଲି

ପୁଅ ପତିଙ୍କ ଆଗରେ ତା’ର ଜୀବନ ଯିବ ଚାଲି ।

ହାତରେ କାଚ ହାତରେ ଥିବ,

ତା’ ସିନ୍ଦୂର ନାଇଁ ନିଭିବ,

ଅହ୍ୟ ରାଣୀ ବେଶେ ସେ ଯିବ ସରଗ ପୁରେ ଚାଲି

ଏତିକି ଆଶା ଏତିକି ଲକ୍ଷ୍ୟ ଭୀବନେ ତାର ଖାଲି ।

----

କଲମ-ମୁନ

ନରି ମହାପାତ୍ର ହେଡ଼ମାଷ୍ଟର ହୋଇ ଲୋ

ଆସିଅଛି ଖଲିକୋଟ

ପିଲାଙ୍କୁ ଦେଖିଲେ            ଦାନ୍ତ ରଗଡ଼ି ଲୋ

ଆଖି କରେ ରଟ ମଟ ।

 

ଖଲିକୋଟ ବୋଳି            ରାଇଜଟିଏ ଲୋ

ଆଠ ଦଶ କୋଶ ଧରି,

ଚଉପାଶୁ ପିଲେ            ପୋଥି ଘେନି ହାତେ

ଆସନ୍ତି ଇସ୍କୁଲେ ପଢ଼ି ।

 

କିଏ କେତେ ଦୂରୁ            ଆସନ୍ତି ପରା ଲୋ

କେଉଁ ପଲ୍ଲୀ ପ୍ରାଣ ଧନ !

ଝାଳ ଗମ ଗମ            ବଦନୁ ଝରେ ଲୋ

ବାଧି ଉଠେ ପାଦ ଶ୍ରମ ।

 

ଟିକିଏ ବିଳମ୍ବ            କରି କେ ଆସିଲେ

ଖରାରେ କରାଇ ଠିଆ

ଗୋଗୋଛ ବାଡ଼ିଆ            କରେ ନରିଟି ଲୋ

ଅତୀବ ନିଠୁର ହିଆ ।

 

ମୂକ ପଶୁ ପରି      ଜଳ ପୋଡ଼ି ହୋଇ

ସହନ୍ତି ଦଇନି ଯେତେ;

ଫାଟି ପଡ଼ୁଥାଏ      ନୋଳା ପିଠିରୁ ଲୋ

ରକତ ଝରଇ କେତେ !

 

ହେଲେ ତୁଣ୍ଡ ଫେଇ            କହନ୍ତି ନାଇଁ ଲୋ

ପଦିଏ ବଚନ ଟାଣେ,

ବଡ଼ ସୁଧାର ସେ            ପିଲା ଗୁଡ଼ିକ ଲୋ

ନ ଥିବେ କେଉଁଠି ଜାଣେ !

 

ଯେତେ ଯିଏ ପାଠ            ପଢ଼ି ଆସିଲେ ଲୋ

ମନକୁ ପାଏନି ତାର,

ଚଦିମର୍କଟି ସେ            କହଇ କଥା ଲୋ

ନୁହେ ଯାହା ସହିବାର ।

 

ଜାଣି ଶୁଣି କରି            ସବୁ ପିଲାଙ୍କୁ ଲୋ

ଫେଏଲ୍‌ କରଇ ସେହୁ,

‘କି ପାଠ ପଢ଼ିଛ’      ବୋଲି ହୁଙ୍କାରେ ଲୋ

ପଢ଼ାଇଚି ସିଏ କେହୁ !

 

‘ଇଙ୍ଗିରିଜି ପାଠ      ବଡ଼ ବଳିଆର

ମତେ କି ଜାଣିଚ ତମେ ?

ମୋହ ପାଖେ ନାଇଁ            ଟିଉସନ କଲେ

ଫେଲ୍‌ ହେବ ଜଣୁ ଜଣେ ।’

 

‘ଏତେ ବେଳୁ ବନ୍ଧ            ନାଇଁ ବାନ୍ଧିଥିଲେ

ପଛନ୍ତେ ପସ୍ତାଇ ହବ,

ବେଶୀ ନୁହେ ମୋରେ ମାସକୁ ଖାଲି ଲୋ

ପନ୍ଦର ଟଙ୍କାଟି ଦବ !’

 

‘କେତେ କେତେ ପିଲା      ଟିଉସନ କରି

ତାଲିମ କରିଚି ମୁହିଁ,

କେହି ଜଣେ ହଟି            ରହି ଯାଇଅଛି -

ସ୍ମରଣ ତ ହେଉ ନାହିଁ ।’

 

‘ଏଠି କିଏ ଅଛି      ଭଲ ଶିକ୍ଷକ ଲୋ

କାହାକୁ କି ପାଠ ଆସେ ?

ପକେଟ ପୂରାଇ            ବେତନ ନବାଟି

ଜାଣନ୍ତି ସେ ପ୍ରତି ମାସେ !’

 

‘ଏଇ ଯେ ଦେଖୁଚ            ଶଙ୍କର ପଣ୍ଡିତ

ଖବର କାଗଜ ପଢ଼ି

ଦିନମାନ ତାର      ବିତାଇ ନିଏ ଲୋ

ବାହାରକୁ କାଢ଼େ ଛଡ଼ି ।’

 

‘ମଉଳିକ ଟ୍ରେନିଂ            ପାଇ ଯେ ଆସିଚି

ଏ ଯେଉଁ ଖଦଡ଼ ଧାରୀ,

ବିଷ୍ଠା କାଢ଼ି କାଢ଼ି      ଯାଉଚି ଦିନ ଲୋ

କି ବିଦ୍ୟା ଆସିଚି ପଢ଼ି ?’

 

‘ଏ ଯେ ପାତ୍ରବାବୁ            ଭଲ ଶିକ୍ଷକ ଲୋ

ଉଧରି ହଉଛ ତମେ

ସେ ଆସିବା ଦିନୁ            କେତେ ଅନୁଷ୍ଠାନ

ଗଢ଼ିଛନ୍ତି ପ୍ରତି କ୍ଷଣେ ।’

 

‘ପୁଅ ତହୁଁ ବଳି      ପିଲାଗୁଡ଼ିଙ୍କୁ ଲୋ

ସେନେହ କରଇ ନିକି ?

ଖେଳ ବୁଲ ପଢ଼ା      ପିଲାଙ୍କ ସଙ୍ଗେ ଲୋ

ନିୟତ କରଇଟିକି ।’

 

‘ବିରାଡ଼ି ବୈଷ୍ଣବ      ତାହା ତହୁଁ ପରା

ହୋଇବ ଟିକିଏ ଭଲ

ବାହାରକୁ ନାଆଁ      କରିବାଟି ଏକା

ଜଣା ତାକୁ କଉଶଳ ।’

 

‘କିଏ କେତେ ରୂପେ            ଅଛନ୍ତି ଏଠି ଲୋ

ଜାଣି କି ପାରିବ ଟିକେ ?

ଗୋଟିଏ ଗୋଟିକି            ବଳି ଅଧମ ଲୋ

ନାଡ଼ି ମୁଁ ଚିପିଚି ଠିକେ ।’

 

‘ମୋ କଲମ ମୁନ            ବଡ଼ ଦାଢ଼ୁଆ ଲୋ

ଖଣ୍ଡା ତହୁଁ ବଳି ବଡ଼,

ପଦେ ଲେଖି ଦେଲେ      କିଏ କାହିଁ ଯିବେ

ପତା ମିଳିବ କି କାର ?’

 

ଏତେ ଏତେ କଥା            ପିଲାଙ୍କ ଆଗେ ଲୋ

ବଖାଣି ଯାଏ ସେ ନିତି,

କିଏ ଜଣେ ତା’      ଜବାବ ଦେଲେ ଲୋ

ସାରା କରି ଦିଏ ପିଟି !

 

ନିଜ ବଡ଼ ପଣ            କହି ଯାଉଥାଏ

ବାଟୁଳି ବାଜେନି ହେଳେ

ତା’ର ପଢ଼ାଇବା            କିବା ବଖାଣିବି

ଜ୍ଞାନୀ ପଣ୍ଡିତଙ୍କ ମେଳେ !

 

Unknown

ଇସ୍କୁଲ ପିଲେ ସେ            କଅଁଳ ମନ ଲୋ

ଫୁଲକିଶଳୟୁ ବଳି

ଯିମିତି ଗଢ଼ିବ      ବାଳୁତ କାଳୁ ଲୋ

ସିମିତି ସେ ହେବ ଗଢ଼ି !

 

କାହା ପ୍ରାଣ କେତେ            ଶିରୀ ବିଭବ ଲୋ

ରହିନାଇଁ ଲୁଚି କରି

ସେ ଶିରୀ ସମ୍ପଦ            ଫୁଟି ନ ପାରିଲେ

କି ଲାଭ ଜୀବନ ଧରି !

 

ପ୍ରତି ଶିଶୁ ସେ ଯେ            ଏ ଦେଶ ଜାତିର

ଗୋଟି ଗୋଟି ଅଳଙ୍କାର,

ତାଙ୍କରି ହାତରେ      ଦେଶ ଜାତିର ଲୋ

ରହିବ ସମ୍ପଦ ଭାର ।

 

କାହାକୁ କି ଭଳି      ଗଢ଼ିବାକୁ ହେବ

ଦେଇ ସ୍ନେହ ସନମାନ,

ସେଇତକ କରି      ପାରିଲେ ପ୍ରକୃତ

ହେଲା ସିନା ଶିକ୍ଷା ଦାନ !

 

ନରି ଖାଲି ପାଠ      ଘୋଷାଇ ପଢ଼ାଏ

ନନ୍ଦର ରଖିବା ପାଇଁ,

ଦି ପଦ ନିଜେ କେ      ଲେଖି ନ ପାରୁ ଲୋ

କିବା ଆସେ ଯାଏ ତହିଁ ?

 

କେତେ କେତେ ପିଲା      କିଛି ନ ବୁଝି ଲୋ

ଘୋଷନ୍ତି ବିକଳ ମନେ,

ଘୋଷି ନ ପାରିଲେ            ଚଡ଼ାଙ୍ଗ ଚଡ଼ାଙ୍ଗ

ବେତ ପିଠେ ବାଜେ କ୍ଷଣେ ।

 

ଘୋଷି ଘୋଷି ଯିଏ      ଲେଖି ପାରିଲା ଲୋ

ସେଇ ପିଲା ଏକା ଭଲ;

ନିଜ ମନୁ କାଢ଼ି      ଲେଖିଲା ଯିଏ ଲୋ

ସିଏ ପଡ଼ିଗଲା ତଳ ।

 

ତା’ ଉପରେ ହେଲା            ଗାଳି ପରାଭବ

କିଆଁ ସେ ଘୋଷିଲା ନାଇଁ,

ମଣିଷ ପିଲା ଯେ      ପଶୁ ହେବାକୁ ଲୋ

ଇଚ୍ଛା କି କରିବ କାହିଁ ?

 

ନିଜେ ଫୁଟି ନିଜେ      ଉଠି ପାରିଲେ ଲୋ

ଯେ ଶିରୀ ଜୀବନେ ଜାଗେ

ପରର ଅଇଁଠା      ଖାଇ ବଢ଼ିବାରେ

ସମାନ କି ତାହା ଆଗେ ?

 

ପିଅନଠୁ ଧରି      ଶିକ୍ଷକ ଯାଏଁ ଲୋ

ଦେଖାଏ ଧଡ଼କ ଭାରି !

ତା’ କଥାରୁ କେହି      ଆନ ନୋହିଟି ଲୋ

ଯିବେ ଅକୁଣ୍ଠିତେ ପାଳି !

 

ସାର ବା ଅସାର      ନ୍ୟାୟ ବା ଅନ୍ୟାୟ

କହୁ ଯେ ଯେବଣ କଥା

ମାନିବାକୁ ହେବ      ଶିର ନୁଆଁଇ ଲୋ

ନୋହିଲେ କାଟିବ ମଥା !

 

ଶିକ୍ଷକ ଶିକ୍ଷକ      ଭିତରେ ଖାଲି ଲୋ

ଲଗାଇ ଦେବାକୁ କଳି

ସଜ ଉଣ୍ଡୁ ଥାଏ      ପାରି ପାରେନି ଲୋ

କେତେ କଉଶଳ ଗଢ଼ି !

 

କିଏ କଣ ଟିକେ      ପ୍ରତିବାଦ କରି

କହିଲେ ନରିର ଆଗେ

ବୋଲେ ନରି ମୁହିଁ      ତୁମରି ନାଆଁରେ

ଲେଖିବି ଏମନ୍ତ ବାଗେ -

 

ଛାଟି ପିଟି ହୋଇ      ଚାଲି ଯିବ ଏଠୁ

ପିଠେ ପଡ଼ିବେନି କେହି,

କିଏ କେତେ ଡରି      ଯାଆନ୍ତି ଏଥେ ଲୋ

ଫେରନ୍ତି ତୁନିଟି ହୋଇ ।

 

ଉଇ ହୁଙ୍କା ଚଢ଼ି      ସ୍ୱର୍ଗ ଗଲା ଭଳି

ଟିକିଏ କ୍ଷମତା ପାଇ,

ଇମିତି ହଉଚ;      ଆଉ ଅବା ଥିଲେ

କଅଣ ନଥାନ୍ତ ହୋଇ !!

 

ବିଚାରି ଥାଆନ୍ତ      ବସୁଧାଟା ଅବା

କରିଦେବ ଟଳମଳ

ହାଇରେ ମଣିଷ      କେଡ଼େ ଟିକେ ହୋଇ

କି ମହା ରାରବ ତୋର !

 

ଦିନେ ନରି କଲା      ନୋଟିସ ଜାରି ଲୋ

ଯେତେ ପିଲା ଛନ୍ତି ଯହିଁ,

ଓଳିଏ ଆସି ସେ      ଓଳିଏ ପରା ଲୋ

ଇସ୍କୁଲେ ଆସନ୍ତି ନାଇଁ -

 

ଦୁଇ ଓଳି ତାଙ୍କ      ଅନୁପସ୍ଥିତି ଲୋ

ହାଜରାରେ ଦେବ ଲେଖି

ଯେଉଁ ଶିକ୍ଷକ ସେ      ନ ଲେଖିବେ ଏହା

ମୁହିଁ ତାଙ୍କୁ ଦେବି ଦେଖି ।

 

ଯେତେ ଯହିଁ ଥିଲେ            ଶିକ୍ଷକ ମାନେ ଲୋ

ଅତୀବ ଡରୁଆ ଜନ

ହଁଅ ଭରି ଦେଲେ      ନରି କଥାରେ ଲୋ

ନୋହିଲେ ରାଗିବ ଜାଣ !

 

ବାବୁ ବୃନ୍ଦାବନ      ବଡ଼ ଟାଣୁଆ ଲୋ

କହିଲା ଗରଜି କରି -

‘ଏତେ ମିଛ ଆମେ            ପାରିବୁନି ଲେଖି

ମଣିଷ ଜନମ ଧରି ।’

 

ବାବୁ ବୃନ୍ଦାବନ ପରି -      ଟୋକା ଖଣ୍ଡେ

ମିଳିବ କି ମହୀ ତଳେ ?

ବୟସେ ଅଳପ      ହେଲେ କିସ ହେଲା

ଜ୍ଞାନୀ ପୁରୁଷଟି ଭଲେ !

 

ସେ ଆସିଲା ଦିନୁ            ସାରା ବିଦ୍ୟାପୀଠେ

ଜୀବନ ଯାଇଚି ବହି,

କେତେ କବି ବକ୍ତା            ବାହାରିଛନ୍ତି ଲୋ

ନବୀନ ଉତ୍ସାହେ ଶୋହି !

 

ପିଲାମାନେ ତାକୁ      ଦିଅନ୍ତି ସେନେହ

ହୃଦୟ ମମତା ଭରି,

ତାଙ୍କର ଏ ଯେଉଁ      ବିଭବ ପଣ ଲୋ

ସହିତ ପାରେନି ନରି ।

 

ଭଲ ଲୋକ ସିନା      ଭଲ ଲୋକେ ଚାହେ

ସେନେହ ଆଦର କରେ,

ଖଳ ଦୁର୍ଜନ ଯେ,      ତାଙ୍କୁ ଭଲ ଲୋକ

ଗନ୍ଧାଇବ ସବୁବେଳେ ।

 

ବାଘ ପରି ମିଶି      ଆସିଲା ନରି ଲୋ

ବାବୁ ବୃନ୍ଦାବନେ ଚାହିଁ,

ହେଲେ ବୃନ୍ଦାବନ      ନଇଁଲା ନାଇଁ ଲୋ

ସାକ୍ଷାତେ ମେରୁଟି ସେହି ।

 

କେତେ ଗାଳିମନ୍ଦ      କଲାଟି ତାରେ ଲୋ

ଆଖି କରି ମଟ ମଟ,

‘‘ମୋ ଆଦେଶ ତୁମେ      ପାଳିବ କି ନାଇଁ

କହ ବୃନ୍ଦାବନ ସତ ?’’

 

କହେ ବୃନ୍ଦାବନ      ନରି ଆଗେଟି ଲୋ

ଦେଖାଇ କେଶରୀ ଠାଣି,

‘‘ପିଶାଚ ପାଲଟି      ଯାଇଚ ତମେ ହେ

କି ବୀଭତ୍ସ ତବ ବାଣୀ !

 

ଧମକ ଚମକ      ଦେଖାଇଲେ ମୁଁ କି

ଭାବି ଅଛ ଯିବି ଲଇଁ ?

ଯାହା ଠିକ୍‌ ବୋଲି            ବିଚାରିବି ମୁହିଁ

ଅନ୍ୟଥା କରିବି ନାଇଁ ।

 

ମଣିଷ ହୋଇଣ            ପଶୁର ପାହାଚେ

ଓହ୍ଲାଇ ଆସିଚ ତମେ,

କେତେ ପରାଭବ            ଜଣ ଜଣକୁ ଲୋ

ଦେଉଅଛ ପ୍ରତିକ୍ଷଣେ;

 

ରକତ ନିଗାଡ଼ି      ଶିକ୍ଷକମାନେ ଲୋ

କାମ କରୁଛନ୍ତି ଏଥି

ଖାଇବାକୁ ବାରେ      ତର ମିଳେନି ଲୋ

ପଢ଼ାରେ ଦିଅନ୍ତି ମତି ।

 

ପିଲାଙ୍କ ଆଗରେ      ଗାଆଁ ଲୋକ ଆଗେ

କହୁଚ ଗରଜି ତମେ,

ଶିକ୍ଷକ ଗୁଡ଼ାକ      କିଛି ନୁହନ୍ତି ଲୋ

କାମ କୁଢ଼ି ଜଣୁ ଜଣେ ।

 

ପଶୁ ହେଲେ ଯାଇ            ତୁମ ପାଶେ ସିନା

ରହି ସେ କରିବ କାମ,

ମଣିଷ ହୋଇ କେ            ସହିବ ତୁମର

ଏତେ ଅନାଚାର ମାନ ?’’

 

ସିଂହ ପଶୁ ପରି      ବାବୁ ବୃନ୍ଦାବନ

ଏତେ କଥା ଗଲା କହି,

ଝାଳ ଗମଗମ      ବୋହି ପଡ଼ୁଥେଲୋ

ଲୁହ ଆସୁଥାଏ ବହି !

 

ମନ ଭିତରଟା      ଗୋଳେଇ ଘାଣ୍ଟେଇ

କାନ୍ଦି ଉଠୁଥାଏ ଖାଲି,

ଆଛା ମୁଁ ଶିକ୍ଷକ      ହୋଇ ଆସିଲି ଲୋ

କି ଶିରୀ ପାଇବି ବୋଲି ?

 

ଏତେ କାମ କରି      ତା’ର ପୁରସ୍କାର

ଏଇ ତ ପାଇଲି ପରା !

ଅନ୍ଧ ଦେଶେ ଗଲେ            ଦର୍ପଣ ବିକି ଲୋ

ତା’ ମୂଲ ବୁଝେ କି ଧରା ?

 

ମାସକ ଭିତରେ      ବାବୁ ବୃନ୍ଦାବନ

ବଦଳି ହୋଇଲେ ତହୁଁ,

ନରି ବୁକୁ ତଳେ      ଖେଳି ଯାଉଚି ଲୋ

ମହା ଆନନ୍ଦର ଢେଉ !

 

ଜଣକୁ ଲାଛି ମୁଁ      ଖସାଇ ଦେଇଚି

ଅଛନ୍ତି କେତେଟା ଖାଲି,

ତାଙ୍କୁ ତଡ଼ି ଦେଲେ            କଣ୍ଟାତ ଯିବ ଲୋ

ହୋନ୍ତି ମନ ମଧ୍ୟେ ଭାଳି !

 

ବୃନ୍ଦାବନ ଆଜି      ଯାଉଛନ୍ତି ଛାଡ଼ି

ପ୍ରିୟ ଖଲ୍ଲିକୋଟ ଭୂଇଁ,

ନେତ୍ରୁ ଲୁହ ଝରି      ଶିଶୁ ପରିଟି ଲୋ

କାନ୍ଦୁଛନ୍ତି କଇଁ କଇଁ !!

 

କେତେ ଛାତ୍ର ଜନ      ଗୋଟିକି ଗୋଟି ଲୋ

ପଡ଼ୁଚି ତାଙ୍କର ମନେ,

କାହା ତୁଲେ କେତେ      ମଧୁ ବନ୍ଧନ ଲୋ

ଭୁଲି ନ ପାରନ୍ତି କ୍ଷଣେ !

 

କା ଦୁଃଖ ଦଇନେ            ରୋଗ ବଇରାଗେ

ହୋଇଚନ୍ତି କାର ସାହା,

କାହା ପରେ କେତେ      ରଖି ନାହାନ୍ତି ଲୋ

ସେନେହ ମମତା ମାୟା !

 

କାହା ବୁକୁ ତଳେ      କେତେ ଉତ୍ସାହର

ସୁଅ ଦେଇଚନ୍ତି ଭରି,

ଆପଣା ଭାଇଠୁ      ବଳି କାହାକୁ ଲୋ

ଆଦର ଅଛନ୍ତି କରି !

 

କା ଦୁଃଖ ଅଭାବେ      ନେତ୍ରୁ ଲୁହ ଢାଳି

କରିଚନ୍ତି ବୋଧ କାରେ

ସବୁରିଙ୍କ ସ୍ମୃତି      ଚିତ୍ର ପରିଟି ଲୋ

ନାଚି ଯାଏ ଧାତିକାରେ ।

 

କେତେ ବିଲ ବନ      ନଈ ପାହାଡ଼ ଲୋ

ଚିଲିକା ନିର୍ମଳ ଝର,

ବୁଲି ଆସିଚନ୍ତି      କେତେ କାହା ତୁଲେ

ମନେ ପଡ଼େ ଥରୁ ଥର

 

ପଛେ ଚାଲିଚନ୍ତି            ଛାତ୍ର ଦଳ ଦଳ

ଚାଲିଚନ୍ତି ସିଏ ଆଗେ,

କେତେ ସହକର୍ମୀ      ସଙ୍ଗତେ ଛନ୍ତିଲୋ

ବାଆଁ ଓ ଡାଆଁଣ ଭାଗେ !

 

ପ୍ରତି ନେତ୍ର ପ୍ରାନ୍ତୁ      ଲୁହ ଝରୁଚି ଲୋ

ଶ୍ରାବଣର ଧାରା ପରି,

ବାବୁ ବୃନ୍ଦାବନ      ଚାଲି ଯାଉଚନ୍ତି

ଆଉ କି ଆସିବେ ଫେରି ?

 

ଯେତେ ସେ ଚାଲନ୍ତି      ଆଗକୁ ଆଗକୁ

ପାଦ ତ ଚଳଇ ନାଇଁ,

କୋହ ଆସି ପାଟି            ଖନି ମାରିଯାଏ

କଥା କି ପାରନ୍ତି କହି !      

ବଅସରେ ବସି      ସବୁରିଙ୍କି ବାରେ

ଅଳପ ମଉନେ ଚାହିଁ,

ଲୁହ ଦୁଇ ଟୋପା      ଗଡ଼ାଇ ଦେଇ ଲୋ

ଦୂରସ୍ଥେ ଚାଲିଲେ କାହିଁ !!

 

ଏ ସବୁ ନିରେଖି      ନରି ହୃଦୟ ଲୋ

ରାମ୍ପୁଡ଼ି ବିଦାରି ହୁଏ

‘‘ଏ ଲୋକକୁ ଏତେ            ସେହ ସନମାନ

ଦେଖାନ୍ତି କାହିଁକି କିଏ ?

 

ଆଚ୍ଛା ତାକୁ ପୁଣି      ଦେଖି ମୁଁ ଦେବି ଲୋ

ଆଜି ସିନା ଗଲା ଚାଲି

ଚରିତ୍ର ପାଞ୍ଜି ତା’      ଅଛି ମୋ ହାତେ ଲୋ

ଜୀବନ ନାଟିକା ପରି ।

 

ଏକଇ କଲମ      ଗାରେ ତା ପ୍ରାଣ ଲୋ

କରି ମୁଁ ଦେବଇଁ ମାଟି,

କେତେ ବଳିୟାର      ବୁଝିବ ମତେ ସେ

ବୁଝିବେ ତା ସାଙ୍ଗ ସାଥୀ !’’

 

ଏତେ ବୋଲି ନରି      ମନେ ମନେଟି ଲୋ

ଖାଲି ହେଉଥାଏ ତୋଷୀ

କେତେ ପେଞ୍ଚ ସେହୁ      ଖେଳାଏ ସତେ ଲୋ

କେ ତହିଁ ପାରିବ ପଶି ?

 

ଗଲା ଦିନୁ ସିଏ      ଖଲିକୋଟ ମାଟି

ଝୁରୁଚି ତାହାଙ୍କୁ ଖାଲି,

ଯୁଆଡ଼େ ଚାହିଁବ      ଶ୍ମଶାନର ଛାୟା

ସବୁଠି ରହିଚି ପଡ଼ି ।

 

ସାହସ ଉତ୍ସାହ      ନବ ଉନ୍ମାଦନା

ଉଠୁନି କା ବୁକେ ଖେଳି,

ଜୀବନ, ଜୀବନ      ପରି ଲାଗୁନି ଲୋ

ସବୁ ଯାଇଅଛି ମରି !!

 

ଆନ ଯେ ଅଛନ୍ତି,      ମଲା ଅହିରାଜ

ପରିଟି ଅଛନ୍ତି ରହି;

ତୁଣ୍ଡ ଫେଇ ପଦେ      କହି ଦେବାକୁ ଲୋ

ସାହସ ପତାଉ ନାହିଁ ।

 

ନରି ଖାଲି ତା’ର      କଲମ ମୁନେ ଲୋ

ଦବାଇ ରଖିଚି ଆନେ,

ନିରଙ୍କୁଶ ରାଜ -      ଭୋଗ କରୁଚି ଲୋ

ବସି ଖଲିକୋଟ ଥାନେ ।

 

ଆଠଟା ନ ବାଜୁ      ଚଟି ଚରଣେ ଲୋ

ଆସଇ ଅଫିସ ଘରେ,

କିରାନି ପିଅନ      ଡରି ମରିଟି ଲୋ

ଚାହିଁ ବସିଥାନ୍ତି ଦ୍ୱାରେ ।

 

ନୋହିଲେ କାହାକୁ      ଶଳା ବଦ୍‌ମାସ

ବରଷା ହୋଇବ ଗାଳି,

ନୋହିଲେ କାହାକୁ      ଲେଖି କଲମେ ଲୋ

ଏକବାରେ ଦେବ କାଢ଼ି ।

 

ଦୟାମାୟା କିଛି      ନାହିଁଟି ତାର ଲୋ

ଅତୀବ ନାସ୍ତିକ ଜନ,

ଆଚ୍ଛା କଲମ ସେ      ପାଇଚି ଏକା ଲୋ

ଧନ୍ୟ ସେ କଲମ ମୁନ !

 

ଯେ କଲମ ମୁନେ      ଫୁଟି ନ ଉଠେ ଲୋ

ପ୍ରାଣର ଅନନ୍ତ ମାୟା,

ଯେ କଲମ ମୁନ      ବୁଣି ନ ପାରେ ଲୋ

ସପନ ସୋହାଗ ଛାୟା -

 

ସେ କଲମ ଧରି      ବଡ଼ ବୋଲାଏ ଯେ

ତା ତହୁଁ ନିଲଜ କାହିଁ ?

ସେ କଲମ ମୁନ -      ଶିରୀ ବଇଭବ

ଅବା କେତେ ଦିନ ପାଇଁ ?

-----

ପଲ୍ଲୀ - ବାଳା

ନିତି ନିତି ତା’ରେ ଚାହିଁବାକୁ ଭଲ ଲାଗେ,

ବୁକୁ ତଳେ କିବା ଗଭୀର ପୁଲକ ଜାଗେ !

ପଲ୍ଲୀ-ବାଳା ସେ ପଲ୍ଲୀରେ ଅଛି ବଢ଼ି

ଫୁଟାଇ ବୁକୁରେ ନବ ଯଉବନ କଳି;

 

ମଞ୍ଜୁଳ ହାସ-ପ୍ରଭାତୀ ତାରକା ପରି,

ମାଣିକ୍ୟ ଓଠେ ଉଠଇ ସୋହାଗେ ଭରି;

ଲଜ୍ଜାରେ ତା’ର ଭ୍ରୁଲତା ପଡ଼େ ନଇଁ

ଆଖି ଦୁଇ ତା’ର କିବା ସଜ ନୀଳକଇଁ ?

 

କୃଷ୍ଣ-ଚୂଡ଼ାରେ ଖୋସଇ କେତକୀ କି

ଗନ୍ଧେ ଉଠଇ ମହକି କବିର ହିଆ ।

ସୁନା ପାଣି ଦିଆ ଅଙ୍ଗ-ଲତାରେ ତା’ର

ଲାବଣ୍ୟ କିବା ରଚିଛି ସ୍ଫଟିକ ଗାର !

 

କଥା ପଦକ ତା’ କାନ୍ତ କବିତା ପରି,

ହସିଲେ ମୁକୁତା ଧରଣୀରେ ପଡ଼େ ଝରି !

ଚାଲିଲେ ଫୁଟଇ ରକ୍ତ କମଳ କଳି,

ଚାହିଁଲେ ବିଶ୍ୱ ଭୁବନେ ଫୁଟଇ ଝଳି;

 

କେତେ ମୁଁ ଦେଖିଛି ଏ ପଥେ ଆସିବା ଯିବା

ଧରଣୀ ରାଣୀର ରତ୍ନ ଗୋଟିଏ କିବା ?

ପ୍ରତି ଅଙ୍ଗରୁ ଜୀବନ ଆସଇ ବହି

ଗରୀବ କୁଟୀରେ ଆଜନମୁ ଅଛି ରହି ।

 

ଗାଁ ତୋଟାମାଳ ସବୁଜ ପାହାଡ଼ ବିଲ,

ପଥ ଘାଟ ଶ୍ୟାମ ପ୍ରାନ୍ତର ସୁରୁଚିର,

ସକଳ ଯେହ୍ନେ ତାହାରି ପରଶ ଲଭି

ଧରଇ କି ଅବା କାନ୍ତ ମୋହନ ଛବି;

 

କେବେ ସେ ବସଇ ପାହାଡ଼ୀ ଝରଣା କୂଳେ,

କେବେ ସେ ବୁଲଇ ପାହାଡ଼ ସବୁଜ ଚୂଳେ ।

କେବେ ସେ ଦେଖଇ ବଉଦ ଭାସିବା ଦୂରେ,

ଶୁଣଇ ଗୋପାଳ ବଂଶୀ କୁଟୀର ପୁରେ;

 

କେବେ ସେ ଆଣଇ ବାଳ ତୃଣ କାଟି କାଟି,

ବତ୍ସ ତରୀରେ ଖଆଏ ମେଲାଇ ପାଟି;

ପାହାଡ଼ ଶିଳାରେ ପାଞ୍ଚଣ ଧରି କରେ

ଗୋଧନ ଜଗଇ ଶତ କୌତୁକ ଭରେ !

 

ସଂଧ୍ୟାରେ ଯେବେ ଫେରଇ ପାହାଡ଼ ତଳେ

ଗାଉଥାଏ ଗୀତ ମନ ବିନୋଦନ ଭରେ;

ମୁଗ୍‌ଧ ଧିଆନେ ପାହାଡ଼ ପାଦପ ଲତା

ଶବ୍ଦ ତା’ର କଣ୍ଠ ମଧୁର କଥା

 

ସକାଳେ କନକ-କରେ ଚାଙ୍ଗୁଡ଼ି ଧରି,

ଶାଗ ତୋଳୁଥାଏ ଗୋଟି ଗୋଟି ଖୋଜି କରି ।

ସାନ ଭାଇଟିରେ ଶାଗ ଚାଙ୍ଗୁଡ଼ି ଦେଇ

କହେ ‘ନେଇ ଯାଆ ଯାଉଅଛି ମୁଁ ଗାଧୋଇ’

 

ଗାଆଁର ସବୁଜ ପାହାଡ଼ର ଖୋଲେ ଖୋଲେ

ଭାଇ ପାଇଁ କେତେ ଭିନେ ଭିନେ କୋଳି ତୋଳେ;

କୁଟୀରେ ଭାଇରେ ବିଲୋକି, ସୋହାଗ ମନେ

କୋଳି ଦେଇଯାଏ ଆଦର ଓ ସଯତନେ;

 

କୁଟୀର ଦୁଆରେ ମଲ୍ଲି - ମାଳତୀ - ଲତା

ବଢ଼ାଇଛି ବାଢ଼ି କି ସେନେହ ସରସତା !

କଳସୀ କଳସୀ ଜଳ ଢାଳୁଥିଲା ବେଳେ

ମୁଗ୍‌ଧ ହାସ ତା’ ଅଧରେ ସୋହାଗେ ଖେଳେ;

 

ବହୁବାର ତା’ରେ ଜୀବନେ ଦେଖିଛି ମୁହିଁ,

ମୋ ଘର ସେଇଠି ଯହିଁ ତାର ଲୀଳା ଭୂଇଁ,

ଜୀବନେ ନିମେଷେ ହୋଇ ନାହିଁ କଥାଭାଷା,

ଅନ୍ତରେ ମମ ଜାଗିଚି ଗଭୀର ଆଶା,

 

ଦୂରୁରୁ ଦେଖିଛି; ଦେଖିଛି ନିକଟେ ତା’ରେ

ଦେଖିଛି ସ୍ୱର୍ଣ୍ଣ ତଟିନୀ ସିକତା ଧାରେ,

ପାହାଡ଼ର ଖୋଲେ ତୋଳିବାର କୋଳି ଶାଗ

ଦେଖିଛି, ତା ପାଇଁ ବହି ଶତ ଅନୁରାଗ;

 

ଦେଖିଛି ତାହାରେ ଫେରିବାର ଗୀତ ଗାଇ,

ପାହାଡ଼ର ତଳୁ ବରଷାରେ ଓଦା ହୋଇ;

ଦେଖିଛି ତାହାରେ ଶିଳା ଚାଞ୍ଚଡ଼ା ପରେ

ଗୋଧନ ଜଗିବା ସୁନାରୀ ଛାଇର ତଳେ,

 

ପଉଷ ସ୍ୱର୍ଣ୍ଣ ଧାନକ୍ଷେତମାଳେ ଥରେ

ଧାନ ଗୋଟାଇବା ଦେଖିଛି ସୋହାଗ ଭରେ;

କେତେ ମୁଁ ଚାହିଁଛି ଗଭୀର ବିଜନେ ଏକା

ବୁଡ଼ିଯିବା ଯାଏ ଧାନ ବିଲେ ରୂପ ରେଖା

 

ଗାଆଁ ପୋଖରୀରୁ ଗାଧୋଇ ଫେରିବା ବେଳେ,

ଗୋଲାପ ଗଣ୍ଡ ଯୁଗଳେ ଯେ ଝଳି ଖେଳେ,

କେତେ ମୁଁ ଦେଖିଛି ଯାଇନି ପାଶୋର ମମ,

ସ୍ମୃତିରେ ରହିଛି ସୁନାର ଚିହ୍ନ ସମ !!

 

ପୃଥିବୀରେ ତା’ରେ ନିଜରୁ ନିଜର କରି,

ବୁକୁ ତଳେ ତାରେ ସଞ୍ଚିତ ନିଧିପରି,

ସାଇତି ରଖିଛି ବରଷ ବରଷ ଧରି,

ସୁବିପୁଳ ମାୟା ତାହାରି ଉପରେ ଭରି;

 

ବୁଲିଛି ସେ ଯେଉଁ ପାହାଡ଼ କାନନ ନଈ,

ତା’ରେ ଦେଖିବାକୁ ଗଭୀର ମମତା ବହି,

ବୁଲିଚି ମୁଁ କେତେ; ମନେ ମୋର ସବୁ ପଡ଼େ

ଭୁଲି ମୁଁ ପାରିନି ନୟନେ ନିରେଖି ଥରେ;

 

ଜାଣେନା କାହିଁକି ସେ କିଶୋରୀ ବାଳାପାଇଁ,

ମରମେ ପଡ଼ିଛି କୋଟି ସେନେହର ଛାଇ !

ନିତି ନିତି, ତାରେ ଇଚ୍ଛା ଦେଖିବା ଲାଗି,

ଇଚ୍ଛା ଯାଆନ୍ତି ତା ବୁକୁ ପୀରତି ମାଗି !

 

ଇଚ୍ଛା ମୋହର ଗଭୀରୁ ଗଭୀରତର

ତା’ ତୁଲେ ବୁଲନ୍ତି ପାହାଡ଼ ତଟିନୀ ସର;

ସେ କେଉଁ ପୁନିଅ ଜୋଛନା ରାତିରେ ଥରେ

ତା’ ତୁଲେ ବସନ୍ତି ଅଗଣା ବଉଳ ତଳେ;

 

କହନ୍ତି ତା’ରେ ବିଜନେ ଦେଖିଲେ ଥରେ

‘‘କେତେ ସୁଖ ପାଏ ତୁମରେ ଧରଣୀ ତଳେ ।

ଚାତକ ପରି ମୁଁ କେତେ ଯେ ଲୋଡ଼ଇ ଜାଣ ।

ତୁମେହିଁ ମୋହର ପ୍ରାଣର ମଧୁର ଗାନ ।’’

 

ନ ଦେଖେ ତା’ରେ ମୁଁ ନ ହେଉ ମିଳନ ଥରେ

ଫୁଲଟିଏ ପରି ଫୁଟିଥାଉ ଧରା ପରେ;

ମନ ମନ୍ଦିରେ ତାହାରେ ସାଇତି ରଖି

ଡାକୁଥାଏ ମୁହିଁ ତୁମେ ମୋର ପ୍ରାଣ ସଖୀ !

----------------------------------

 

ଦେଖିଚ କି ତମେ ?

ସେ ଯେ ଗଲେ ଚାଲି ହସିଲେ ସୁଦୁରେ କାହିଁ ?

ସନ୍ଦେଶ ତା’ର କିଛି ତ ମିଳିଲା ନାଇଁ !

କହି କି ପାରିବ କହି କି ପାରିବ ସତେ ?

ଦେଖିଚ କି ତମେ ରହିଲେ ସେ କେଉଁ ପଥେ ?

 

କେତେ ଦିନ ଏବେ ସେ ଦିନୁ ଗଲାଣି ଚାଲି

ତାଙ୍କରି କଥା ଆମେ ଭାଳି ହେଉ ଖାଲି;

ରହିଲେ ସେ କାହିଁ ? କି ଭଳି ଥିବେଟି ସତେ ।

ଦେଖିଚ କି ତମେ ରହିଲେ ସେ କେଉଁ ପଥେ ?

 

ତୁମେ କି ଦେଖିଚ ସ୍ୱରୂପ ହେ ତାଙ୍କରି ?

କେଉଁ ମୁଲକରେ ରହିଲେ ସେ’ ଦେହ ଧରି,

ସ୍ମୃତି ତାଙ୍କର ସବୁ ଦିଶିଯାଏ ମତେ

ଦେଖିଚ କି ତମେ ରହିଲେ ସେ କେଉଁ ପଥେ ?

 

ବାସନା ଯେ ମୋର ଗଭୀରୁ ଗଭୀରତର,

ଜାଣିବାରୁ ତାଙ୍କ ଖବର ଓ ଅନ୍ତର;

କହ ମୋତେ କହ ପାଖେ ବସି ଅବିରତେ,

ଦେଖିଚ କି ତମେ ରହିଲେ ସେ କେଉଁପଥେ !!

 

କିଭଳି ରହିଲେ କେବଣ ସୁଦୁର ଭୂଇଁ ?

କେଉଁଠି ଭେଟିଲ, ଉତ୍ସୁକ ହୁଏ ମୁହିଁ,

ସାକ୍ଷାତ ବେଳେ ଚିହ୍ନି ପାରିଲ ସତେ ?

ଦେଖିଚ କି ତମେ ରହିଲେ ସେ କେଉଁ ପଥେ ?

 

ଦେଖିଚି ଦେଖିଚି ଜାଣିଚି ଜାଣିଚି ମୁହିଁ,

କହୁଚି କିଭଳି ଗଲି ସେ ସୁଦୁର ଭୂଇଁ,

ଗୋଟି ଗୋଟି କରି ମୋର ସବୁ ମନେ ପଡ଼େ,

ଛନ୍ତି ସେ କାହିଁ, କେଉଁ ବାଟ ଦେଇଗଲେ;

 

କେତେ ଯେ ପାହାଡ଼ କେତେ ଯେ ଅରଣ୍ୟାନୀ

ଭେଦି ମୁହିଁ ଗଲି ସଂଖ୍ୟା ତା ନାହିଁ ଜାଣି

କେତେ ଯେ ନଗର ସଉଧ ଓ ଅଟ୍ଟାଳି

ଦେଖିଲି, ଜୀବନେ ଦେଖି ଯା’ ନ ଥିଲି ପାରି;

 

ପ୍ରପାତ ମୁଖର ନୀରନ୍ଧ୍ର ବନଭୂମି

ଦିଗ୍‌ବଳୟର ମୁଖ ଯାହା ଯାଏ ଚୁମି,

ଦେଖିଲି ମୁଁ ପଥେ, ଡେଇଁ ସେ ସକଳ କ୍ଷଣେ

ବହୁଦୂର ପଥ ଚାଲିଲି ମୁଁ ଏକା ଜଣେ ।

 

ତା’ପରେ ଦେଖିଲି ସମ୍ମୁଖେ ପାରାବାର

ବେଳାଭୂମି ଯାହା ଚୁମିଯାଏ ବାରବାର;

କେତେ ତରୀ ତା’ର କୂଳରେ ହୋଇଛି ଭିଡ଼ା,

କେଉଁ ତରୀ ଯାଇ ମଝି ସମୁଦ୍ରେ ଛିଡ଼ା ।

 

କିଏ ସେ ଡାକିଲା ନିଜରୁ ନିଜର କରି

‘ଯିବପରା ତମେ ?’ ବସ ଆସି ଏଇ ତରୀ

ସେ କେଉଁ ତରୀରେ କିଏ ବସାଇଲା ମତେ-

ଜାଣିନି, ଚାଲିଲା ତରୀ ସମ୍ମୁଖ ପଥେ;

 

ପବନ ସମାନେ ତରୀ ଯେ ଚାଲିଲା ଆଗେ

ବୁକୁତଳେ ମୋର କୋଟି ଉଲ୍ଲାସ ଜାଗେ;

ଆରକୂଳେ କାହିଁ ତରଣୀ ଲାଗିଲା ଯାଇ

ଚାଲି ଚାଲି ଗଲି କେତେ ବାଟ ମୁଁ ଯେ କାହିଁ !

 

ସେ ପାରେ ଦେଖିଲି ଦେଖିଲି ତାଙ୍କୁ ମୁହିଁ

ଦାଉ ଦାଉ ଦିହ କି ମହା ଆଲୋକ ଛୁଇଁ !

ପଚାରିଲି ‘ତୁମେ ଏ ଥାନେ କଅଣ କର ?

ଖାଲି ସେ ହସିଲେ ଚାହିଁ ମୋତେ ପ୍ରତିଥର !

 

ତା’ପରେ ଦେଖିଲି ବିଶାଳ ଜନତା ସହ

ତାଙ୍କ ସେନେହ ଆଳାପ ଓ ପରିଚୟ;

ସବୁରି ବଦନେ ମୁକ୍ତ ମଧୁର ହାସ

ଶୁଣନ୍ତି ତାଙ୍କ ଓଠ ମଧୁ ସଂଭାଷ ।

 

ସେଠି ମୁଁ ଦେଖିଲି ତାଙ୍କ ପରଶ ଲାଗି

ମଣିଷ ଭିତରେ ଜୀବନ ଉଠୁଛି ଜାଗି;

କୁଟୀରୁ କୁଟୀରେ କେତେ ମୁଁ ବୁଲିଲି ଯାଇ

କଳହ ଦ୍ୱନ୍ଦ୍ୱ କେଉଁଠି ଦେଖିଲି ନାଇଁ !

 

ସେଠି ମୁଁ ଦେଖିଲି, ଜଣକୁ ଦେଖିଲେ ଜଣେ

ହସି କଥା କହେ ମଧୁର ଆଲିଙ୍ଗନେ,

ସେଠି ମୁଁ ଦେଖିଲି ପ୍ରତି ମଣିଷର ମୁହଁ

ଉଜ୍ଜ୍ୱଳ ଦିଶେ ବହି କିବା ଶିରୀ ସୁଅ !

 

ମଣିଷର କଥା କିଭଳି କଅଁଳ ତହିଁ

କିଣି ହୋଇଯିବ ଟିକିଏ ଶୁଣିଲେ ରହି,

ମଣିଷ ଯେଉଁଠି ମଣିଷକୁ ପାଏ ଭଲ

ସେ ଭୂଇଁରୁ ବଳି କାହିଁ ଭୂଇଁ ସୁନ୍ଦର ?

 

ମଣିଷକୁ ଯହିଁ ମଣିଷ ବୁକୁରେ ଧରି

ଅନ୍ତର ସବୁ ସେନେହ ଦିଅଇ ଭରି,

ସେ ଭୂଇଁରେ ମୁହିଁ ଦେଖିଚି ତାଙ୍କୁ ଥରେ

କୃତାର୍ଥ ମୋର ନୟନ ଏ ମହୀତଳେ ।’’

------------------------------

 

କୃଷକ ସମାଧି ?

ସତୁରି ବରଷ ବୃଦ୍ଧ କୃଷକ ଏ ମାଟି ଉପରେ ହୋଇଚି ପୋଡ଼ା

ତାହା ପାଇଁ କିଏ ଭାଳିନି ନିମେଷେ, ସମାଧି-ଦେଉଳ ହୋଇନି ତୋଳା ।

ଧାନ ସେ କାଟିଚି, ଶଗଡ଼ ବୋହିଛି ବିଲମାଳେ ଖରା ବରଷା ସହି,

ହଳ ସେ କରିଚି ଜୀବନ ତମାମ ପର ପାଇଁ କୋଟି ମମତା ବହି !

 

ଚିରା ଲେଙ୍କେଡ଼ା ବସନ ଭୂଷଣ, ସାମାନ୍ୟ ଶାଗ ପଖାଳ ଖାଇ,

ଧରଣୀ ପାଇଁକି ରକ୍ତ ଦେଇଚି, ତାହା କଥା କେହି ଭାଳଇ ନାଇଁ !

ମୃତ୍ୟୁ ଯେ’ଦିନ ଦୁଆରେ ତାହାର ଡାକିଲା ନୀରବେ ପ୍ରଥମ କରି,

ସତୁରି ବରଷ ବୃଦ୍ଧ କୃଷକ ମରଣ ବୁକୁରେ ପଡ଼ିଲା ଢଳି;

ସତୁରି ବରଷ ବୃଦ୍ଧ କୃଷକ ଏଇ ମାଟି ପରେ ହୋଇଚି ପୋଡ଼ା,

ତାହା ପାଇଁ କିଏ ଭାଳିନି ନିମିଷେ ସମାଧି ଦେଉଳ ହୋଇନି ତୋଳା ।

 

ଏଇ ଦେଖେ ଏଇ ମଶାଣି ଭୂଇଁରେ ଧଳା ମାର୍ବଲ ପଥର ପରେ,

ଖୋଳା ହୋଇଅଛି କାହାର ନାଆଁଟି, ଦାଉ ଦାଉ ରବି କିରଣେ ଜଳେ;

କେତେ ଘର ସେହୁ ବୁଡ଼ାଇ ଦେଇଚି ପଥର ଭିକାରୀ କାହାରେ କରି,

ଘରି ଡିହ କାର ନେଇ ତା’ଉପରେ ସଉଧ ତୋଳିଚି ପାହାଡ଼ ପରି;

ଏଇ ଯେ ଦେଖୁଚ ନଈ ଏ ପାରିରେ ଦେଉଳ ପରାଏ ସମାଧି କାର,

ଥିଲା ସେ ଆମରି ସାତ ପାଟଣାରେ ନାମଯାଦା ଜଣେ ଯେ ସାଉକାର

କେତେ ରୂପବତୀ ତରୁଣୀ ବାଳାରେ ଅଭାଗିନୀ କରି ଛାଡ଼ିନି ପଥେ,

ଗାଆଁରେ ଗାଆଁରେ ଭାଇ ବତିଶାରେ ଭିଆଇନି କଳି ସେ ଅବିରତେ;

ସତୁରି ବରଷ ବୃଦ୍ଧ କୃଷକ ଏଇ ମାଟି ପରେ ହୋଇଚି ପୋଡ଼ା,

ତାହା ପାଇଁ କିଏ ଭାଳିନି ନିମିଷେ, ସମାଧି ଦେଉଳ ହୋଇନି ତୋଳା ।

 

ସତୁରି ବରଷ ବୃଦ୍ଧ କୃଷକ କାମ କରି କରି ପାଚିଛି ବାଳ,

ସୁଖେ ଓ ଦୁଃଖେ ବଞ୍ଚି ଆସିଚି ତୁଣ୍ଡରେ ମାରି ମୁଣ୍ଡ ଝାଳ;

ଗୋଟିଏ ଓଳି ସେ ବସି ରହି ନାଇଁ, ମାଗି ଖାଇ ନାଇଁ, ଖାଇଚି ଲାଗି,

ଗରିବ କୁଟୀରେ ଜନମ ତାହାର ଗରିବ କୁଟୀର ଯାଇଚି ତ୍ୟାଗି;

ଶ୍ମଶାନେ ତାର ଶବ ଗଲାବେଳେ, ଶବ ପଛେ ପଛେ ଯାଇନି କେହି,

ଏଇ ଯେ ଦେଖୁଚ ଧଳା ଧଳା କୋଠା ମୋଟା ମୋଟା ଲୋକ ରହିଚି ନେଇ-

ଏଇ ଘର ପାଇଁ କାଆମ କରିଚି, ବିପଦ ବେଳେ ସେ ହୋଇଚି ସାହା,

ଏ ଜାତି ସହିତ ଜଡ଼ିତ ନୁହେଁ ସେ ? ପକାଏନି କେହି ତାଆରି ନାଆଁ !

ସତୁରି ବରଷ ବୃଦ୍ଧ କୃଷକ, କାମ କରି କରି ପାଚିଛି ବାଳ

ସୁଖେ ଓ ଦୁଃଖେ ବଞ୍ଚି ଆସିଚି ତୁଣ୍ଡରେ ମାରି ମୁଣ୍ଡ ଝାଳ !

 

ସତୁରି ବରଷ ବୃଦ୍ଧ କୃଷକ ଗରିବ ଗରିବ ଗରିବ ଅତି,

ଚାଲିଯାଇ ନାଇ ଫେର ଲମ୍ବାଇ, ଶିରେ ତୋଳି ଦିନେ କନକ ଛତି !

ଛନ୍ଦ କପଟ ବହି ବୁକୁ ତଳେ କହି ନାଇଁ କେବେ କାହାରେ କଥା

ଦେଇ ନାଇଁ କେବେ କାହାରି ଜୀବନେ ନିମିଷକ ପାଇଁ ତିଳେକ ବ୍ୟଥା !

କାନ୍ଦି ଉଠିଚି ବୁକୁ ତଳ ତା’ର ବିପଦ ଆପଦ ପଡ଼ିଲେ ଗାଏଁ;

ଯେତେ ଦୁଃଖରେ, ରହିଥିଲେ ସେ’ତ ପର ପାଇଁ ପ୍ରତି ପଲକେ ଧାଏଁ,

ଓଠରୁ ଫୁଟଇ ସରସ ବଚନ, ଅନ୍ତରେ ତା’ର ସତ୍ୟ ଲୋଳେ

ଆପଣାରୁ ବଳି ଆପଣାର କରି ଧରଣୀକୁ ଦେଖେ ନୟନ ଡୋଳେ ।

ସତୁରି ବରଷ ବୃଦ୍ଧ କୃଷକ ଗରିବ ଗରିବ ଗରିବ ଅତି,

ଚାଲି’ଯାଇ ନାଇଁ ଫେର ଲମ୍ବାଇ ଶିରେ ତୋଳି ଦିନେ କନକ ଛତି !

 

ଗରିବ କୁଟୀର ଜନମ ହୋଇଚି ଗରିବ କୁଟୀରେ ଖେଳିଚି ଖେଳ,

ଗରିବ କୁଟୀର ତିଆଗି ଯାଇଚି, ଆସିଲା ଯେ’ଦିନ ମରଣ ବେଳ,

ରାଜାର ହର୍ମ୍ୟ ନୁହେ ତାହା ସରି ମଠ ଦେବାଳୟ ନୁହେ ତା’ସମ

ସବୁ ଭିତରେ ତା ଜୀର୍ଣ୍ଣ କୁଟୀର ଏ ଜାତିର ପ୍ରିୟ ପୂଜ୍ୟତମ;

ବିଶ୍ୱ ଜନତା ! ଏଇ ଯେ ଦେଖୁଚ ମୁକ୍ତ ମଶାଣି ପଦାରେ ତମେ

ମୁଠିଏ ପାଉଁଶ ହାଡ଼ ଗୋଟି ଗୋଟି, ମହାତ୍ମା ଏଥି ଶୋଇନି ଜଣେ ?

ସମ୍ମାନ ଦିଅ ! ଗଉରବ ଦିଅ ! ସ୍ମୃତି ମନ୍ଦିର ନ ଥାଉ ତା’ର

ଏ ଜାତି ବୀଣାରେ ତା’ ଜୀବନ ଗୀତି ଫୁଟୁଥିବ କୋଟି ବରଷ କାଳ

ଗରିବ କୁଟୀରେ ଜନମ ତାହାର ଗରିବ କୁଟୀରେ ଖେଳିଚି ଖେଳ

ଗରିବ କୁଟୀର ତିଆଗି ଯାଇଚି ଆସିଲା ଯେ’ଦିନ ମରଣ ବେଳ ।

------------------

 

ଜୀବନ

କାମ୍ବେର ନବାବ ପାଶେ କହିଲା ଜନତା

‘‘ବରଷା ହୁଏନି ଦେଶେ ଦୁର୍ଭିକ୍ଷ ମରୁଡ଼ି

ଛାରଖାର କରେ ଦେଶ, ନବାବ ସତ୍ତମ

ତୁମେ ଯେବ ସିଂହାସନ ଛାଡ଼ି, ଏଇ ଧୂଳି-

 

ମାଟିର ମଣିଷ ପରି, ନିଜେ ହଳ ଧରି

କରନ୍ତ ଏ ଭୂଇଁ ଚାଷ, ବେଗମ ତୁମ୍ଭରି-

କୃଷକ ଗୃହିଣୀ ସମ ଓଠେ ହର୍ଷ ଭରି

ଖାଦ୍ୟ ହାତେ ଆସନ୍ତେ ହେ ତୁମ୍ଭ ପାଖେ ଚଳି-

 

ପରଶି ଦିଅନ୍ତେ ଅନ୍ନ, ହିଡ଼ ମୁଣ୍ଡେ ବସି,

ନିବାରି ସୋହାଗେ କ୍ଷୁଧା ନୋହି ଅବସନ୍ନ,

କରନ୍ତ ବିଲରେ କାମ; ଆସନ୍ତା ବରଷି

ଚଉଦିଗ ଧରି ମେଘ ।’’ ନବାବ ବେଗମ-

 

ଆନନ୍ଦେ କଲେକ ‘‘ହଁ; ଦରିଦ୍ର କୃଷକ-

ପରାଏ ନବାବ କଲେ ନିଜେ ଯାଇ ଚାଷ

ବେଗମ ଆସିଲେ ଧରି ଅନ୍ନ ତରକାରୀ

ଦରିଦ୍ର ଗୃହିଣୀ ପରି ଓଠେ ବାଢ଼ି ହାସ ।

 

ଭୀଷଣ ବରଷା ହେଲା; ଶୁଷ୍କ ବସୁନ୍ଦରା-

ହସିଲା, କି ଜୀବନ୍ୟାସ ଯେହ୍ନେ ପାଇ ପରା !

ଯେଉଁଠି ଜୀବନ ବୀଣା ବାଜେ ସମ ତାନେ

ଆନନ୍ଦର ଲକ୍ଷ୍ମୀ ଆସେ ଫୁଟି ସବୁ ପ୍ରାଣେ !!

-------------

 

ସିଏ ତ ଆସିଥିଲା !

ସିଏ ତ ଆସିଥିଲା ପାରିଲା ନାଇଁ କହି, ମୋ ଆଗେ ତା’ର ମନ କଥା,

ସିଏ ତ ଆସିଥିଲା ତା’ ବୁକୁତଳେ ବହି କି ଗୁରୁ ଆଘାତର ବ୍ୟଥା;

ସିଏ ତ ଚାଲିଗଲା, ଟିକିଏ ଚାହିଁ ଦେଇ, ଟିକିଏ ମାରି ଦେଇ ମନ

ସିଏ ତ ଚାଲିଗଲା ଆଉ ତ ଆସି ନାଇଁ ଦେଖିଚି ତାରେ କେତେକ୍ଷଣ !

 

ଦରଜଟିକ ତା’ର ମନରେ ରହିଗଲା, ପାରିଲା ନାଇଁ ଆଉ ଫୁଟି,

ସିଏ ତ ଚାଲିଗଲା ଦୁରରୁ ବହୁଦୂରେ କି ନାରଖାରେ ପଡ଼ି ଉଠି;

କି ମହା ସଙ୍କୋଚ ତାହାରେ ବାଧା ଦେଲା ମୋ ଭଳି ପରିଚିତ ଜନେ,

ମୁଁ ତାରେ ଖୋଜି ହୁଏ, ମୁଁ ତାରେ ଲୋଡ଼ି ହୁଏ, ସୁଦୂର ମୋ କୁଟୀର କଣେ !

 

ଚାହିଁନି ତା’ରେ ମୁହିଁ ନଜର ହୀନ କରି, ମୋହର ଯେତେ ହୁଏ ମନେ,

କାହିଁକି ଆସିଥିଲା କାହିଁକି ଚାଲିଗଲା ମଉନେ ଚାହିଁ ଦେଇ କ୍ଷଣେ !

ସେ ମୋରେ ଡାକି ନାଇଁ, ସେ ମୋରେ ପଠାଇନି ଖବରଟିଏ କାହା ହାତେ,

ଖାଲି ସେ ଚାହିଁଥିଲା, ମଉଳା ମନ ତା’ର ମନେ ପଡ଼ୁଚି ଏ ରାତେ;

 

ଖାଲି ସେ ଚାହିଁଥିଲା, ମଉଳା ମନ ତା’ର ବାଉଳା କରି ଦିଏ ମତେ,

ମଉଳା ମନ ଧରି, ଥିବ ସେ କେଉଁ ଭଳି ଅଜଣା ଅଶୁଣା ତା’ ପଥେ

ଶୁଖିଲା ଓଠେ ତା’ର ଟିକିଏ ମିଠା ହସ କ୍ଷଣିକ ପାଇଁ ବୋଳି ଦେଇ,

କି ନିଧି ପାଆନ୍ତିନି ନିଃସ୍ୱ ଏ ଜୀବନେ ନିଜର ବାରେ କରି ନେଇ;

 

ସିଏ ତ ଆସିଥିଲା ସିଏ ତ ଚାହିଁଥିଲା, ସିଏ ତ ଚାଲିଗଲା ଦୂରେ,

ସିଏ ତ ଖୋଜିଥିଲା, ସିଏ ତ ବୁଲିଥିଲା, ସିଏ ତ ବୁଝିଥିଲା ମୋରେ,

ସିଏ ତ ଚାଲିଗଲା ସିଏ ତ ଚାଲିଗଲା, ଆସିଲା ନାଇଁ ଆଉ ଫେରି,

ସିଏ ତ ହସି ନାଇଁ, ପାରିବ ନାଇଁ ହସି ? କି ବ୍ୟାଥା ଥିବ ତାରେ ଘେରି !!

------

 

ମୁଠିଏ ଦିଏ

ଧନ ମାନ ଶିରୀ ସବୁ ଚାଲିଗଲା

ତା’ ସାଥେ ଗଲା ତା’ଜୀବନ ଚାଲି,

ରହିଚି ଖାଲି ତା’ କୁଡ଼ିଆ ଗୋଟିକ

ମାଟି ବାଲି ଶେଯେ ପଡ଼ିବ ଢଳି;

 

ନାଇଁ ତା’ର କେହି ପୁଅ ଅବା ଝିଅ

ନାହାନ୍ତି ଗିଆଁତି ସୋଦର ସାଥି

ମନେ ପକାଇ କେ ଖୋଜିବେ ଘଡ଼ିଏ

ଅଥବା ପାଳିବେ ଶ୍ରାଦ୍ଧତିଥି;

 

ସବୁ ସିନା ଗଲା କାଳର କପାଳେ;

ମଶାଣି ଚିତାରେ ଗଲା ସେ ଜଳି,

ପାରିଲାନି ଯାଇ ଗୋଟିଏ କଥାସେ

ରହିଚି ଏବେ ବି ଧରଣୀ ଭରି;

 

ନବେ ବରଷର ବୁଢ଼ାଟିଏ ସେତ

ଅଧା ବୟସରୁ ଭୋଗିଚି ଭରା

ଦିନେ ଦିନେ ରହେ ଖାଡ଼ା ଉପବାସେ

ନୟନୁ ବରଜି ଲୋତକ ଧାରା ।

 

ହେଲେ ଜଣେକେହି ଭିକାରୀ ଅତିଥି

ନିରାଶେ ତା ଘରୁ ଯାଇନି ଫେରି

ତୁଣ୍ଡ ଚିପି ସେ ରଖିଥେ ମୁଠିଏ

କିଏ ଆସି ମାଗି ଦେବଟି ବୋଲି ।

 

ଢଳିବ କୁଟୀର ମାଟି ଶେଯପରେ

ଦୂଦୂରା ଉଠିବ ଦିନେ ତା’ ଡିହେ,

କହୁଥିବେ ଜନେ ଏତେ ଦୁଃଖେ ବୁଢ଼ୀ

ପରପେଟ ଜାଣି ମୁଠିଏ ଦିଏ ।

 

ସବୁସିନା ଗଲା ପାରିଲା କି ଯାଇ

ଯେଉଁ ମଧୁତାନ ଦେଇଚି ଢାଳି,

ଭିଟା ଉଠିଯିବ କେତେ କାଳ ଯାଉଁ

ସବୁ ପଡ଼ିଯିବ କଜଳକାଳି,

 

କହନ୍ତି ଜନେ ବହୁଥିବେ ନିକି ?

ଅସୀମ କାଳର ମରମ ଦେହେ,

ଏତେ ଦୁଃଖେ ବୁଢ଼ୀ ରହିଥାଏ ସିନା

ପର ପେଟ ଜାଣି ମୁଠିଏ ଦିଏ ।

-----------------------

 

ଗୋଟିଏ ଘଟଣା

ହୃଦୟ ଦେଇ ଯିଏ ଚାଲିଚି ଧରଣୀରେ

            ମୁଁ ତାର ପାଦ ପୂଜା କରିବି,

ଜୀବନ ଥିବାଯାଏ ମୁଁ ତାରେ ବହୁବାର

            ସକଳ ନିୟତ ଯେ ସ୍ମରିବି;

 

ନିଜକୁ ବଳି ଦେଇ ନିଜକୁ ଦେଖିଚି ଯେ      

            ପରର ଅନ୍ତର ଭିତରେ,

ମୁଁ ତାରେ ମନେ କରେ ଠିଇକି ମଣିଷ ସେ

            ଧରଣୀ ବୁକୁ ପରେ ସତରେ ।

 

ମୁଁ ତାରେ ଦେବି ମୋର ସକଳ ସେନେହ ଓ

            ସକଳ ସମ୍ମାନ ବୁକୁରୁ

ତାହାରି କୀର୍ତ୍ତନ ଫୁଟିବ ସବୁଦିନ

            ଅସୀମ ପୁଲକେ ମୋ ମୁଖରୁ

 

ଉପର ପାହାଚେ ଯେ ଚରଣ ଥୋଇ ଦେଇ

            ନିମ୍ନ ପାହାଚକୁ ଧରିଚି,

ସଭିଙ୍କୁ ତଳୁ ନେଇ ଉପରେ ଥୋଇଦେଇ

            ଯେ ନିତି ମିଠା ପାଇପାରିଚି,

 

ସେ ମୋର ଏ ମାଟିର ବିରାଟ ସମ୍ପଦ,

            ଜୀବନ ପରି ତା’ର ଜୀବନ,

ମୁଁ ଚାହେ ଚିରଦିନ ରଚିବା ପାଇଁ ତାର

            ବକ୍ଷ ତଳେ ମୋର ଭବନ ।

 

ଏଇ ଯେ ପିଲାଟିଏ ସୁଦୂର ବିଦେଶର

            ଅନାଥୁ ଅନାଥ ସେ ଅଟଇ

ଆସିଲା ପାଶେ ତବ, ଯା ମୁଖୁ ଦୈନ୍ୟ ଓ

            ଅଭାବ କଥା ଖାଲି ଫୁଟଇ

 

କହିଲା- ‘ବଂଧୁ ହେ ! ପଢ଼ିବା ପାଇଁ ମୁଁ ହେ !

            ଆସିଚି ଏତେ ବାଟ ଏଠିକି

ମତେ କେ ନ ଚାହିଁଲେ ନିରାଶେ ଫେରିଯିବି,

            ଯିବ ଏ ବୁକୁତଳେ ଫାଟିକି ?’

 

ଏତିକି କହିଚି ସେ ଅଶ୍ରୁ ଛଳେ ଛଳେ,

            କି ଅବା ବିଦ୍ୟୁତ ଜାଗିଲା,

ତୁମରି ସଭିଙ୍କୁ ଯେ ତା’ ବୁକୁ ତଳ ବ୍ୟଥା,

            କେସନେ ନିଜପରି ଲାଗିଲା !

 

କେହି ତ ନାଇଁ କରି ଆଡ଼େଇ ଦେଇନାଇଁ,

            ତାହାରେ ଟିକେ ଖାଲି ଚାହିଁ ହେ,

ସଭିଏ ଗାଆଁ ଗାଆଁ ବୁଲିଲ ଉତ୍ସାହେ

            କ୍ଷା କରିବାର ପାଇଁ ହେ !

 

ପଲ୍ଲୀ ପଙ୍କାଳ, ପାହାଡ଼ ବନ ତଳ

            ଚାଲିଲ ତୁମେ ଶିଶୁ ଦଳ ହେ

ତୁମେ କି ସୁନ୍ଦର, ତୁମେ କି ସୁବିମଳ

            କିଭଳି ତୁମେ ସତେ ବଡ଼ ହେ !

 

କେତେ ଯେ ବିଲମାଳ ଶଇଳ ପ୍ରାନ୍ତର

            ଡେଇଁଣ କେତେ ଦୂରେ ଯାଇନ ?

ତୁମରି ମାଟିର ଏ ନିଃସ୍ୱ ଭାଇ ପାଇଁ

            କାହାରେ ଡାକି କେତେ କହିନ ?

 

ଏ ଶୀତ କାକରରେ ଭୋକ ଓ ଉପାସରେ

            କେତେଠି କେତେଦିନ ବିତାଇ,

ତା’ ପାଠ ପଢ଼ାପାଇଁ ପାରିଚ ଗଉରବେ

            କେତେ ଯେ ସମ୍ପଦ ପଠାଇ !

 

ତା ପାଇଁ ହୋଇଅଛ ପାଗଳ ଉନ୍ମନ

            ନିଜକୁ ଏକବାରେ ଭୁଲି ହେ,

ତାହାରି ସପନରେ ତୁମରି ବୁକୁତଳ

            ଅଛି କି ଉଲ୍ଲାସେ ପୂରି ହେ !

 

ଜୀବନ ଯେତେବେଳେ ଯାଏରେ ସୀମା ଟପି

            ତାକୁ କେ ଅଟକାଇ ପାରିବ ?

ଯେତେ ଯା ବନ୍ଧନ ଚରଣ ତଳେ ଦଳି,

            ଚାଳିବ ଚାଲିବ ସେ ଚାଲିବ;

 

ସିନ୍ଧୁ ପାରି ହେବା, ଶୂନ୍ୟେ ଉଡ଼ିଯିବା

            ତା ଆଗେ ପିଲା ଖେଳ ଅଟଇ,

ଯୁଆଡ଼େ ଯାଏ ସେହୁ ଯୁଆଡ଼େ ଚାହେଁ ସେହୁ

            ଜୟର ଦୁନ୍ଦୁଭି ଫୁଟଇ !!

 

ଅନାଥ ପିଲାଟି ସେ ଅସୀମ ଅଭାବର

            ବିଷମ କଷାଘାତ ଭିତରେ-

ଥାନ୍ତା ମଉଳି ଯେ, ସବୁରି ଆଢ଼ୁଆଳେ

            ସେ କେଉଁ ଅନ୍ଧାରେ ସତରେ !

 

ତୁମେ ଯେ ତାରେ ଆଜି ଫୁଟାଇ ପାରିଅଛ,

            ଛୁଟାଇ ପାରିଅଛ ସୁଦୂରେ,

ବୁକୁରୁ ଲହୁ ଢାଳି, ଅସୀମ ଆକାଶର

            ସୂର୍ଯ୍ୟ ତାରକା ଓ ବିଧୂରେ,

 

ତୁମରେ କେସନେ ମୁଁ ଦେବିନି ଗଉରବ ?

            କହିବି ନାଇଁ ଆଜି ସତରେ

ସୁନାର ସଂସାର ଗଢ଼ିବା ପାଇଁ ବଳ

            ରହିଚି ଖାଲି ତୁମ ଭିତରେ !

 

ତୁମେ ଯେ ତୁମେ ଖାଲି ପ୍ରାଣର ଉତ୍ସାହେ !

            ସ୍ୱଚ୍ଛ ସୁନ୍ଦର ନିୟତ,

ତୁମଠି ଲାଗିନାହିଁ, ନିମେଷ ପାଇଁ କାହିଁ

            କାଳିମା ଦାଗ ହେଲେ କିୟତ;

 

ଯାଅ ହେ ଯାଅ ବହି, ଆହୁରି ଯାଅ ବହି

            ଫୁଟାଇ କଳ ବେଣୁ ତାନ ହେ

ତୁମରି ଗାନେ ଗାନେ ତୁମରି ପ୍ରାଣେ ପ୍ରାଣେ

            ଧରଣୀ ଦିଶୁ ଅଭିରାମ ହେ !

 

ଜୀବନ ଏକ ଖେଳ ପାରିଲେ ତାକୁ ଖେଳି

            ଅସୀମ ଓଠେ ହସ ଫୁଟାଇ,

ଯେତେ ଯା ବନ୍ଧନ ଦୂରରୁ ଦୂରେ ନିତି

            ବିରାଟ ବିକ୍ରମେ ହଟାଇ,

 

ପାରିବ ଜଣେ କରି ଜୀବନ ଅମୃତ !

            କାମ୍ୟ ସେହି ଏକା ଆମରି,

ସେ ଖେଳ ଖେଳିବାକୁ କିଏତ ଲୋଡ଼ୁ ନାଇଁ

            ହଉନି ଲବେ ହେଲେ ସୁମରି;

 

ବାଳକ ଦଳ ଦଳ ଖେଳିଚ ସେଇ ଖେଳ

            ଉନ୍ମାଦନା କିବା ଢାଳି ହେ !

ବାଳକ ଦଳ ଦଳ ଖେଳିଚ ସେଇ ଖେଳ

            ହୃଦୟ ମିଠା ସବୁ ବାଢ଼ି ହେ !

 

ବାଳକ ଦଳ ଦଳ ଖେଳିଚ ସେଇ ଖେଳ

            ନ ହୋଇ କୁଣ୍ଠିତ କାତର,

ବାଳକ ଦଳ ଦଳ ଖେଳିଚ ସେଇ ଖେଳ

            କାହାକୁ ନାଇଁ କରି ଖାତର ।

 

ବାଳକ ଦଳ ଦଳ ଖେଳିଚ ସେଇ ଖେଳ

            ପାରିବ ତୁମେ ଏକା ଖେଳି ହେ !

ପାରିବ ନାଇଁ ଖେଳି ଯାହାରେ ଅଛି ଖାଲି

            ବିଷମ ବିଷ ସବୁ ବେଢ଼ି ହେ !!

-------------------------------------------------------

 

କବି ଓ ରାଜଜେମା

ରାଜଜେମା ! ରାଜଜେମା !

ଜୀବନେ ତୁମକୁ ଭଲ ପାଏ ମୁହିଁ ସେଇ ମୋର ଦାନ ଜମା !

ଅଳକା ପୁରୀର ଅପ୍‌ସରା ତୁମେ କାହିଁ ମୋ କୁଟୀରେ ଥାନ ?

ତ୍ରିତଳ ସୌଧ, ପ୍ରମୋଦୋଦ୍ୟାନ କେଳି ସରୋବର ମାନ-

 

କାହୁଁ ମୁଁ ପାଇବି ଦରିଦ୍ର ଜନ, ମୋରେ ତୁମେ ଲୋଡ଼ କିଆଁ ?

ତୃପ୍ତି କେସନ ପାରିବ ଗୋ ପାଇଁ ତୁମ ରାଜଜେମା ହିୟା !

ଦରିଦ୍ର ପୁରେ ଆସିବ କାହିଁକି ? ଧରି ଏ କବିର କର

ତୁମ ମନଲାଖି ମୁଁ ନୁହେ, ତୁମେ ମୋ ଏକାନ୍ତ ହୃଦୟର ।

 

ରାଜଜେମା ! ରାଜଜେମା !

କିବା ଉପଚାରେ କରିବି ତୁମକୁ ପୁରେ ମୋର ଅର୍ଚ୍ଚନା ?

ମୋ ପରି କି ସହି ପାରିବ କଷଣ ଅଙ୍ଗେ ଭୁଷଣ କରି ?

କୋଟି ଅଭାବର ମେଳେ କି ପାରିବ ଧୈର୍ଯ୍ୟ ସୋହାଗେ ଧରି ?

ସୃଷ୍ଟିର ମହା ବେଦନାରେ ତୋଳି ବେଦନାର ମୂର୍ଚ୍ଛନା

ବଜାଇ ପାରିବ ବୀଣାଟି ମୋହରି ? ଢ଼ାଳି କୋଟି ସାନ୍ତ୍ୱନା ?

ଜୀବନର ବ୍ୟଥା ଗାଇ ଗାଇ ତୁମେ ଦୁଆରୁ ଦୁଆରେ ଚଳି

ମାନବ ପାଇଁକି ମଧୁ ସଞ୍ଚୟ ପାରିବ କି ତୁମେ କରି ?

ଦରିଦ୍ର ପୁରେ ଆସିବ କାହିଁକି ଧରି ଏ କବିର କର ?

ତୁମ ମନଲାଖି ମୁଁ ନୁହେଁ, ତୁମେ ମୋ ଏକାନ୍ତ ହୃଦୟର !

 

ରାଜଜେମା ! ରାଜଜେମା !

ଶତ ମୂଲକର ସପନ ଦେଖେ ମୁଁ କାହିଁ ତା ସଂଖ୍ୟା ସୀମା ?

ନୀଳ ଶଇଳର ଚୂଳେ ଚୂଳେ ବୁଲେ ଆଷାଢ଼ ବାଦଲ ପରି,

ନଈ ନୀର ବେଣୀ ବେଣୁ ବୀଣାତାନେ ଥାଏ ବା ହୃଦୟ ଭରି !

ସୀମାହୀନ କେଉଁ ଅଜଣା ଭୁଇଁରେ ବୁଲଇ ସୋହାଗେ ଏକା

ମୁଗ୍‌ଧ ହୁଏ ମୁଁ ଅଦେଖାରେ କାର ପାଇ ପାଇ ସବୁ ଦେଖା

ବଣବୁଦା ତଳେ ଶସ୍ପ ଶୟନେ, ଶୋଇ କେବେ ଗୀତ ଗାଏ

ପଲ୍ଲବ କୋଳେ ଫୁଲଟିଏ ଦୋଳେ, ତାରେ ଚାହିଁ ଭଲ ପାଏ !

ପଲ୍ଲୀ ବଧୂର ବିରହ ବିଧୁର ନୟନର କଣେ କଣେ

ଯେ ଲୁହ ଫୁଟଇ ତାରେ ଭାଷା ଦେଇ ଦେଖାଏ ବିଶ୍ୱଜନେ,

ଦରିଦ୍ର ପୁରେ ଆସିବ କାହିଁକି ଧରି ଏ କବିର କର

ତୁମ ମନ ଲାଖି, ମୁଁ ନୁହେ, ତୁମେ ମୋ ଏକାନ୍ତ ହୃଦୟରେ !

 

ରାଜଜେମା ! ରାଜଜେମା !

ରାଜପୁର-ଠଉଁ କବିର କୁଟୀରେ ଅଛି କି ପ୍ରଲୋଭନ ?

କେବଣ ନଗରେ କେଉଁ ରାଜପୁରେ ତରୁଣ ରାଜାରେ ବରି,

ରାଣୀ ହେବ ତମେ କେତେ ଦାସଦାସୀ ଥିବେ ନାଇଁ ଅନୁସରି !

ଥା ନାଇଁ ଫୁଟୁ ଓଠରୁ ତୁମରି, ପୁରିବ ବାସନା ସବୁ,

ତୁମେ ଯେ ରାଜାର ହୃଦୟ ହାରିଣୀ ରାଜା ଯେ ରାଇଜ ପ୍ରଭୁ ।

ପାଦ ନ ଲାଗିବ ତଳେ ଗୋ ତୁମରି ରାଣୀ ସନମାନ ଥିଲେ,

ଲୀଳାୟିତ ତୁମ ନବ ଯଉବନ ମୁଲୁଲାଇ ରାଜପୁରେ,

ଅପସ୍‌ରୀ ସମ ଶୋହୁଥିବ ଆଗୋ ରୂପଗୁଣବତୀ ବାଳା

ଶିରେ ଶୋହୁଥିବ, ସୁନାର ଅକଳ, ଚରଣେ ନୁପୂର ମାଳା ;

କିଶୋର ରାଜାର ପ୍ରଣୟ ସୋହାଗେ ପୂରି ଉଠୁଥିବ ମନ,

ରାଣୀ ସନମାନ ବରଜି ହୋଇବ ପତ୍ନୀ କେବଳ ମମ ?

ଦରିଦ୍ର ପୁରେ ଆସିବ କାହିଁକି ? ଧରି ଏ କବିର କର,

ତୁମ ମନଲାଖି ମୁଁ ନୁହେ, ତୁମେ ମୋ ଏକାନ୍ତ ହୃଦୟର !

 

କବି ମୋର ପ୍ରିୟ କବି !

ଶତରାଜପୁର ବଳି ସୁନ୍ଦର ତୁମରି ହୃଦୟ ଛବି ;

ହେ କବି ! ହେ ମୋର ଜୀବନ ଦେବତା ! ହେ ମୋର ପରାଣ ପ୍ରିୟ !

ମହାବିଶ୍ୱର ବେଦନା ପୁଲକ ନିଜ ବୁକେ ତୋଳି ନିଅ ;

ତୁମରେ ସେବି ମୁଁ ବିଶ୍ୱର ସେବା କରିବି ସୋହାଗ ମନେ ;

ବିଶ୍ୱ ଆମର ବିଶାଳ ରାଇଜ ଆମେ ଧନୀ ମହାଧନେ,

ତୁମେ ହେବ ପ୍ରିୟ ବିଶ୍ୱର ରାଜା ମୁଁ ହେବି ବିଶ୍ୱରାଣୀ

ଏ ବୁଟୀର ଆମ ନିଖିଳ ବିଶ୍ୱ ପ୍ରୀୟତମ ରାଜଧାନୀ !

------------------------------------------------

 

ପେଟର ଦୁଃଖ !

ତୁମେ ଦୁଃଖିନୀ ତୁମେ ଅଭାଗିନୀ ସେ ଦିନ ଟିକିଏ ଚାହିଁଲ ମତେ,

ଅକଣ ଥିଲ ବା କହିବାର ପାଇଁ ଦୁଃଖ ବାଦନା ମରମ ଗତେ ;

କହି ପାରିଲନି କିବା ସଂକୋଚ ଜାଗିଲା ତୁମରି ମରମ ତଟେ

ବଦନ ଫେରାଇ ତୁଉନି ରହିଲ ଫେରିଲି ମୁଁ ମୋର ଆପଣା ବାଟେ ;

 

ଆଉଦିନେ ମୁହିଁ ଫେରିଲି ସେବାଟେ, ଟିକିଏ ଚାହିଁଲ ଭାଳିଲ ପରା

ଟିକିଏ ତୁଣ୍ଡ ଶୁଣାଇ ପାରିଲେ ନିଭନ୍ତା ମୋର ପରାଣ ଭାରା !

କହିବାର ପାଇଁ ମନ ଯାଉଥିଲା ଭିତରୁ କେ’ ଅବା ଆଘାତ ଦେଲା

ମନ ପାରି ଦେଇ ତୁଉନି ରହିଲ କେଜାଣି ଅବା ସେ କଅଣ ହେଲା ।

 

ଆରଦିନ ମୁହିଁ ସେ ବାଟେ ଯାଉଚି ପକାଇଲ ପାଦ ପାହାଚ ତଳେ,

ଯାହା ବା କହିବ, କହିବାର ଲାଗି ଠିଆହେଲ କେଡ଼େ ସାହସ ଭରେ !

ଅଧା ବାହାରିଚି ଅଧରୁ ବଚନ ଥମି ଗଲା ମନ ଗହୀରେ କାହିଁ

ମୋରେ ଚାହିଁ କେତେ ଚେଷ୍ଟା କରିଚ କହିବାକୁ କହି ପାରିଲ ନାଇଁ !!

 

ତହି ଆର ଦିନ ଫେରୁଚି ମୁଁ ପରା ତୁମର ଜୀର୍ଣ୍ଣ କୁଟୀର ବାଟେ

ଦେଖିଲି ବସିଚ ମୁଣ୍ଡଟି ପୋତି, ନେତ୍ରୁ ଲୋତକ ଝରୁଚି କେତେ !

ନଅ ବରଷର ବାଳୁତ ପିଲାଟି ପାଖରେ ତୁମରି ହୋଇଚି ଠିଆ

‘ଆଜ୍ଞା’ ବୋଲି ସେ ପଦିଏ କହିଚି କରୁଣ କଣ୍ଠେ, ଦୁଲୁକେ ହିଆ !

 

ଆଡ଼ୁଖାରେ ରହି ବାଳୁତ ତୁଣ୍ଡେ କହିଗଲ ମୋରେ କେତୋଟି କଥା

‘‘ଚୁଲି ନାଇଁ ଜଳେ, ଦରମା ଦେବାକୁ ଲଗାଇଚି ଦେଖ ଘରେ, ଏ ହଟା ;

କାହାକୁ କହିବି ?’’ ‘‘ଆଚ୍ଛା ମୁଁ ଦେବି ଦୁଃଖ କରନି ଜନନୀ ତମେ’’ –

ଏତକ କହି ମୁଁ ଧୀରେ ପାଦ ଚାଳି, ଆସିଲି ଫେରି ମୋ କୁଟୀର କଣେ ;

 

ବିଚାରିଲି ମନେ ହେ ମୋର ଜନନୀ ! ତୁମରି ଏ କୋଟି ନିଧିଟି ପାଇଁ

ମାସକ ଦରମା ମୁଁ ଦେଇ ପାରିବି, ଆର ମାସେ କାରେ ରହିବ ଚାହିଁ ?

କେତେ ହୀନିମାନେ କାହାରେ ମାଗିବ, ନାହିଁ ଯେବେ କିଏ ଦେବଟି କରି –

ପରୁଷ ବଚନେ, କେତେ ବାଧିବ, ଲାଗିବ ମୁଣ୍ଡ କଟିଲା ପରି !

 

କେତେ ନାରଖାର ହେଉଚ ଜନନୀ ! ପେଟରୁ ଉଠୁଚି କେତେ ଯେ କୋହ

ନିତି ଦିନ ତୁମ ନୟନୁ ବହୁଚି ଉଷ୍ଣ ସେ କେତେ ଅସର ଲୁହ !

ହେ ମୋର ଜନନି ! ଯେତେ ବାର ଯିବି ତୁମ ସେ କୁଡ଼ିଆ ଦୁଆର ବାଟେ

ପାଦ ଦୁଇ ମୋ ଥକି ତ ପଡ଼ିବ, ଚାହିଁବି ନୀରବ ଅଶ୍ରୁପାତେ ;

 

କେତେ ଦୁଃଖରେ ସେ କିଏ ସେ ଚଳୁଚି ସହି କେତେ ଭୋକ ଉପାସ ଜାଳା,

ପେଟର ଦୁଃଖ କହିବା ପାଇଁକି, ପାଟିରୁ ବଚନ ସ୍ଫୁରୁନି ପରା !

-------------------

 

ଭୁଜବଳ-ବୁଢ଼ୀ

ଘର ନାଇଁ ଏଥି, ଘର ନାଇଁ ଖାଲି ପଡ଼ିଅଛି ମେଲା ଡ଼ିହ,

ଠାଏ ଠାଏ ଦିଶେ ମୃତ୍ତିକା ତଳୁ ପାଖ ବରଗଛ ସିଅ !

ସେ କେଉଁ କାଳର ମାଟିର କାନ୍ଥ ହୋଇଅଛି ଠିଆ କାହିଁ,

ଅତୀତର କେଉଁ ଇତିହାସ କାହା କାନରେ କହିବା ପାଇଁ ।

 

ପଥର ପାହାଚ ଉପରେ ଗଲାଣି କେତେ ଲଟା ବୁଦା ମାଡ଼ି

ଅଗଣାରେ ଅଛି ଜାମୁ ଗଛଟିଏ ଆକାଶକୁ ଶିର ଛାଡ଼ି;

ଜାମୁ ପାଚେ ଝଡ଼େ ଗୋଟାନ୍ତି କେତେ ପଲ୍ଲି-ବାଳକ ଦଳ,

ସେ କିଆଁ ବୁଝିବେ କେବଣ ଅତୀତେ ଥିଲା ଏଥି କାହା ଘର ?

 

ସେ ମାଟି କାନ୍ଥ ସେଇ ଜାମୁ ଗଛ, ସେ ଶିଳା ସୋପାନ ମାଳା,

କାଳର କପାଳେ ନିଭିଯାଇ ନାଇଁ, ଦେଖେ ରବି ଶଶୀ ତାରା !

ଯେତେ ବାର ଯାଏ ସେଇ ବାଟ ଦେଇ, ଯାଉଥାଏ ଚାହିଁ ଚାହିଁ,

ବୁକୁ ତଳେ ମୋର ଭଗ୍ନ ସେ ଶିରୀ ନାଚି ଉଠେ କାହିଁ ପାଇଁ ?

 

ଅଶୀଏ ବରଷ ବୃଦ୍ଧ ସେ ମୋର ନମସ୍ୟ ବାପ ଭଳି,

ପଚାରିଲି ଦିନେ ଏ ଡ଼ିହର କଥା ତୁମେ ଜାଣ କିହୋ ବୋଲି ?

କାନେ ହାତ ଦେଇ ଉତ୍ତରିଲେ ସେ ପାରିବି ପାରିବି କହି

‘‘ଏ ଗାଆଁ ର ସବୁ ଇତିହାସ ମୋର ଅଗ ଜିଭେ ଅଛି ରହି ।

 

ସେଇ ସେ ଗାଆଁ ର ଭୁଜବଳ ଘର ଡ଼ିହ ସେ ଅଟଇ ଜାଣ

ବୁଢ଼ା ଭୁଜବଳ ନାଆଁ ଥିବା ଲୋକ ଥିଲା ତାର ଖୁବ୍‌ଟାଣ !

ହାତୀ ପରି ସିଏ ବଡ଼ ମଜଭୁତ, ବଜ୍ର ପରି ତା’ କଥା

ବୁଢ଼ା ହେଲା ପଛେ ଲୋଇଁ ନାଇଁ କାହା ପାଦତଳେ ତାର ମଥା ।

 

ଯୁଦ୍ଧ ପାଇଁ ଡ଼ାକରା ଆସିଲେ ହାଜର ହୁଏ ସେ ଆଗ,

ଯୁଦ୍ଧ କରି ତା ଦିହରେ ବସିଚି ଖଣ୍ଡାର ବହୁ ଦାଗ !

ମୁକୁନ୍ଦ ଦେବ ଫିରିଂ ତୁଲେ ଯେବେଳେ ଲଢ଼ାଇ କଲେ,

ସେଇ ଲଢ଼େଇକି ଯାଇଚି ଯାଇଚି ଫେରିନି ଆଉ ତା’ ପରେ ।

 

ଷୋଳ ବରଷର ଗଜା ବୟସିଆ ଭେଣ୍ଡା ଯେ ପୁଅ ତା’ର

ଏ ମାଟି ଉପରେ ବଢ଼ିଥିଲା ହୋଇ ଦିନୁ ଦିନ ବଳିଆର

ପ୍ରତିଦିନ ସେହୁ ପ୍ରସ୍ତର ଟେକେ, ବୁଲାଏ ବା ମୁଦ୍‌ଗର,

ଶିଖୁଥାଏ ନିତି ସଂଗ୍ରାମ ଲାଗି ଯେତେ ଯେତେ କଉଶଳ ।

 

ତୀର ମାରେ ଯାଇ ବଣ ପର୍ବତ ଖୋଲେ ନିଭୃତ ଥାନେ,

ଖଣ୍ଡାର ଖେଳ କେତେ ସେ ଶିଖିଚି ସେ ଏକା ସକଳ ଜାଣେ

ଗୋରା ପଲଟଣ ଆସିଲେ ଯେ ଦିନ ଦେଶ କରି ଅଧିକାର

କେତେ ଗାଆଁ କେତେ ଦୁର୍ଗ ପୋଡ଼ିଲେ କାହିଁ ବା ସଂଖ୍ୟା ତାର ?

 

ଏଇ ଯେ ଦେଖିଚ ଭଗ ପାଚିରି, ଏହାରି ଉପରେ ଚଢ଼ି,

ଭୁଜବଳ ବୁଢ଼ୀ ଚାହିଁଲେ ଆସିବା ଗୋରା ପଲଟଣ ଧାଡ଼ି ।

ପ୍ରତିହାତେ ଶୋହେ ଗୁଳି ବନ୍ଧୁକ ପ୍ରତି ହାତେ ନିଆଁ ହୁଳା ।

ଅଗ୍ନିର ପାରାବାର କି ଆସୁଚି ଚରିବ ପ୍ରଳୟ ଲୀଳା !

 

ପୁଅ ପଚାରଇ ଜନନୀରେ ଚାହିଁ ବୁଦ୍ଧିତ ଦିଶୁନାଇଁ

ଏତେ ଯେ ସୈନ୍ୟ ଜିଣିବାକୁ ଆମ ହାତରେ ଶକ୍ତି କାହିଁ ?

ଭୁଜବଳ ବୁଢ଼ୀ ପୁଅରେ ପଚାରେ କଷରେ କମର କଷ

ଏତେବେଳେ ତତେ ଦିଶୁନି ? ଅର୍ଜିବୁ ଅପଯଶ ?

 

ଗୋଠେ ଗାଈ ଖିର ଖାଇ ଖାଇ ତୋର ଶକ୍ତି ଦିହରେ ନାଇଁ ?

ଚାହୁଁଚୁ କଅଣ ଶତ୍ରୁ ନିକଟେ ଠିଆ ହୁଅ ଆଗ ଯାଇ ।

ଭୁଜବଳ ବୁଢ଼ୀ ଆପଣା କଟୀରେ ଗୁଡ଼ାଇ ପିନ୍ଧା ବାସ

ପାଚିରି ଉପରୁ ଚାହିଁଲା ଜୀବନ ରଖିବାକୁ ନାଇଁ ଆଶ ।

 

ନିଜ ସ୍ୱାମୀ ହାତ ପାଟ ଖଣ୍ଡାଟି ହାତେ ଧରି ଗଲା ଚଳି,

ଆସୁଥାଆ ପୁଅ ଆସୁଥା ଯାଉଚି ମୁଁ ଆଗ ଯୁଦ୍ଧ କରି ।

ଗୋଟି ଗୋଟି କରି ଛେଇ ଦେଇଗଲା କେତେ ଯେ ଶତ୍ରୁ ଶିର,

ସ୍ତନରୁ ତା ବହେ ରୁଧିରର ସୁଅ ବାଜି ବଇରୀର ତୀର !

 

ରୁଧିରାପ୍ଲୁତ ସ୍ତନ ହତେ ଧରି ଆରହାତେ ତରୁଆର

ଚାଲି ସେ ଚାଲିଚି ଭୁଜବଳ ବୁଢ଼ୀ ବେଳୁବାଳ ବଳିଆର ;

ଶେଷରେ ଯେବେ ସେ ଅସ୍ଥିର ହୋଇ ମାଗିଲା ମନ୍ଦେ ଜଳ

ତଳେ ପଡ଼ିଗଲା କଥା କହିବାର ପାଇଁ ନାଇଁ ଥିଲା ବଳ !

 

ଖାଲି ଦେଖୁଥିଲା ନୟନ ଦୁଇଟା ପୁଅ ବନ୍ଧୁକ କରେ

କେତେ ଯେ ଶତ୍ରୁ ଗୋଟା ଗୋଟା କରି ପକାଇ ଦେଉଚି ତଳେ !

ଆଖି ଦୁଇ ତା’ର ଦିଶି ଆସୁଥିଲା କିଭଳି ଦୀପ୍ତତର

ମୁଖମଣ୍ଡଳେ ନିଶାନ୍ତ ତାରା ଜ୍ୟୋତି ଅବା ଢଳ ଢଳ !!

 

ମାଆ ପାଖେ ପୁଅ, ପୁଅ ପାଖେ ମାଆ ନୀରବେ ପଡ଼ିଲେ ଢଳି,

ସେ ଦିନୁ ଏ ପରା ମେଲା ଡିହ ହୋଇ ଏ ଯାଏଁ ରହିଚି ପଡ଼ି ।’’

ଯେତେବେଳେ ଯାଏ ସେଇ ବାଟ ଦେଇ ମନେ ମୋର ଯାଏ ପଡ଼ି

ଭୁଜବଳ ବୁଢ଼ୀ ଏ ମାଟି କାନ୍ଥି ପରେ ଥିବ ଦିନେ ଚଢ଼ି;

 

ଚାହୁଁଥିବ ଦର ପ୍ରାନ୍ତର ତଟୁ ଆସିବା ସୈନ୍ୟ ଦଳ,

କଟୀରେ ଗୁଡ଼ାଇ ପିନ୍ଧା ବସନ ହୋଇଥିବ ତର ତର;

ଯୁଦ୍ଧ କରିବା ପାଇଁ କି କେସନେ କେସନେ ଦୁଆର ଫେଇ

ଯାଇଥିବ ଦିନେ ଦପ ଦପ ଏଇ ପଥର ପାହାଚ ଡେଇଁ;

 

କଳ୍ପନା କରେ ମନେ ମନେ ଆଜି ଭୁଜବଳ ପୁଅ ମଣି,

ଜନନୀର ପଛେ ଦିଗୁଣ ସାହସେ ଯୁଝିଥିବ ସେଇକ୍ଷଣି;

ଭୁଜବଳ ବୁଢ଼ୀ ସମର ଭୂଇଁରେ ଜୀବନ ଦେଇଚ ତମେ !

ରକ୍ତ ବହିଚି ଝର ଝର ସ୍ତନୁ ଥମି ଯାଇ ନାହିଁ କ୍ଷଣେ ।

 

ଭୁଜବଳ ବୁଢ଼ି ! ଭୁଜବଳ ବୁଢ଼ି ! ଦୁଆର ଫିଟାଇ ଏକା

କିଭଳି ଭେଟିଲ, ଭୟ ହେଲା ନାଇଁ, ସୈନ୍ୟ ସାଗର ରେଖା !

ଭୁଜବଳ ବଢ଼ି ! ଭୁଜବଳ ବୁଢ଼ି ! ସ୍ତନରୁ ବହିଲା ଲହୁ

ତଥାପି କିଭଳି ଖଣ୍ଡା ଚାଲିଲ ଶତ୍ରୁ ମାଇଲ ବହୁ !

 

ଭୁଜବଳ ବୁଢ଼ି ! ଭୁଜବଳ ବୁଢ଼ି ! ଯେବେଟି ପଡ଼ିଲ ଢଳି,

ନୟନ କିଭଳି ଉଜଳ ଦିଶିଲା ସ୍ୱର୍ଣ୍ଣ ତାରକା ଭଳି;

ଭୁଜବଳ ବୁଢ଼ି ! ଭୁଜବଳ ବୁଢ଼ି ! ପୁଅର ଲଢ଼େଇ ଦେଖି

ଅନ୍ତିମ ବେଳେ ଆନନ୍ଦ ଆଭା ବଦନେ ଉଠିଲ ଲେଖି ।

 

ଭୁଜବଳ ବୁଢ଼ି ! ଭୁଜବଳ ବୁଢ଼ି ! ତୁମରି ମରଣ ଶେଯେ

ସନ୍ତାନ ତବ ଶୋଇଲା କିଭଳି ? କିଭଳି ଦୃଶ୍ୟ ସେ’ଯେ !

ଭୁଜବଳ ବୁଢ଼ି ! ଭୁଜବଳ ବୁଢ଼ି ! ବୀର ସନ୍ତାନ କୋଳେ

ସମର ଭୂଇଁରେ ଢଳି ଯେ ପଡ଼ିଲ ସ୍ୱର୍ଗର ଜ୍ୟୋତି ଡୋଳେ;

 

ଯେତେବେଳେ ଯାଏ, ସେଇ ବାଟ ଦେଇ ମନେ ମୋର ଯାଏ ପଡ଼ି

ଭୁଜବଳ ବୁଢ଼ି, ଏ ମାଟି କାନ୍ଥି ପରେ ଯାଇଥିବ ଚଢ଼ି ।

----------------------

 

କାହିଁ ସେ କହ କେଉ ପଥେ ?

ଯାହାରେ ଲୋଡ଼ୁଥିଲି, ଦିବସ ରାତି ମୁହିଁ

କାହିଁ ସେ କାହିଁ କହ ମତେ ?

ଯା ପାଇଁ ଦେଖୁଥିଲି ସପନ ଶତ ଶତ

କାହିଁ ସେ କହ କେଉଁ ପଥେ ?

 

ତା’ ବୁକୁ ବୀଣାତାନ ଶୁଣିବା ପାଇଁ ମନ,

ଆକୁଳ ହୋଇ ଅଛି ନିତି,

ତାହାରି ସନ୍ଧାନ କିଏ ସେ ଦେବ କହି

ରହିଚି କାହିଁ ତା’ର ଥିତି ?

 

ଯେଉଁଠି ସେ ନଈଟି ସୋହାଗେ ବହିଯାଏ,

ଫୁଟାଇ କଳ କଳ ତାନ,

ଯେଉଁଠି ବିହଗର କୂଜନେ ଜାଗି ଉଠେ

ନିୟତ ମଧୂଭରା ଗାନ,

 

ଯେଉଁଠି ସୀମାହୀନ କୁସୁମ ଫୁଟି ଉଠେ

ଛୁଟାଇ ମଧୁ ସଉରଭ,

ଯେଉଁଠି ପ୍ରାନ୍ତର ରହିଚି ବିସ୍ତୃତ

ବିସାରି ଶ୍ୟାମ ଗଉରବ ।

 

ଯେଉଁଠି ପାହାଡ଼ର ଅସୀମ ନୀଳିମାରେ

ହୃଦୟ ଖାଲି ପୂରି ଉଠେ,

ଯେଉଁଠି ନୀରବତା ଭିତରେ ପୁଲକର

ମୋହନ ମଧୁରିମା ଛୁଟେ;

 

ସେଇଠି ଅଛି ସେ କି ? ବୁଲୁଚି ନିତି ନିତି,

ଉଦାସେ କେତେ ଗୀତ ଗାଇ,

କୁସୁମ ତୋଳି ଖୋସାରେ ଖୋସୁଚିକି ?

ପରମ ଆହ୍ଲାଦ ପାଇ !

 

ସେ ନଈ କୂଳେ କୂଳେ ବୁଲୁଚି ଅବିରଳେ

ସନ୍ଧ୍ୟା ସକାଳେ କି ସତେ ?

ତାହାରି ଓଠ ହସେ; ଧରଣୀ ଗଉରବ

ପାଉଚି କି ନା ଅବିରତେ !

 

ତା’ ଭଳି ସୁନ୍ଦର କିଏ ତ ଆଉ ନାଇଁ

ନିଖିଳ ଏ ଧରଣୀ ପରେ

ଧରାର କୁଟୀଳତା ପରଶି ନାଇଁ ତହିଁ

କ୍ଷଣିକ ପାଇଁ ହେଲେ ଥରେ !

 

ସେ ଖାଲି ନିର୍ମଳ ସେ ଖାଲି ସୁନ୍ଦର

ସରସ ଅନ୍ତରମୟୀ

ତା’ ବୁକୁତଳ ମଧୁ ପିଇବା ପାଇଁ ମୋର

ହୃଦୟ ଅଛି ଚାହିଁ ରହି !

 

ମୁଁ ଯିବି ସେଇ ଥାନେ, ମୁଁ ଯିବି ସେଇ ଥାନେ

ମନ ମୋ ହୁଏ ଛନ ଛନ,

ତାହାରି ବକ୍ଷେ ମୁଁ ବକ୍ଷ ମିଶାଇବି

ସେନେହ ଢାଳି ଅନୁପମ !

 

ବସିବି ତାହା ତୁଲେ ପାହାଡ଼ ନଈ କୂଳେ,

ଜୋଛନା ନିଶୀଥେ ମୁଁ ନିତି,

ତା’ ବୁକୁ ସଙ୍ଗୀତେ ମିଶି ମୁଁ ଯିବି ସତେ

ପାଇ କି ସୀମାହୀନ ପ୍ରୀତି !!

 

ମୋହର ଲୋଡ଼ା ତା’ର ଅଧର ହସ ଟିକ

ତାହାରି ବୁକୁଭରା ବାଣୀ,

ମୋହର ଲୋଡ଼ା ତା’ର ସକଳ ଦେହେ ମନେ !

ମିଶି ମୁଁ ଥିବି ଦିବାଯାମୀ !!

 

ମୁଁ ଯିବି ସେଇ ଥାନେ, ମୁଁ ଯିବି ସେଇ ଥାନେ,

ଯେଉଁଠି ଫୁଟେ ତା’ର ପ୍ରାଣ

ତାହାରି ପାଇଁ ମୁହିଁ ନିୟତ ଗୀତ ଗାଏ,

ମୁଁ ଝୁରି ହୁଏ ତା’ର ନାମ ।

       -------

ରୂପ ସମ୍‌ମାନ

ଟିକିଏ ଚାହିଁ ଖାଲି ନିମେଷ ପାଇଁ ମୁଗ୍‌ଧ କେତେ ହୋଇ ଯାଉନି ?

କି ଶିରୀ ସମ୍ପଦ ତାହାଠି ନାଇଁ ? କଥାରେ ସବୁ କହି ହଉନି ।

ଓଠରେ ହସ ପୁଣି ବୁକୁରେ ରସ, ଆଖିରେ ଫୁଲ ଫୁଟି ଉଠଇ,

ଜୀବନ ତଳେ ତାର କେ ନୁହେ ବଶ, କାହାର ବଥା ନାଇଁ ତୁଟଇ ?

 

କେବଣ ପାରିଜାତ ପୀୟୂଷ କୋଳୁ ଜନ୍ମ ଲଭିଚି ଏ ଛଇଳା

କେବଣ କିନ୍ନରୀ ବୟସୀ ମେଳୁ ଆଜି ଏ ଧରଣୀକୁ ଅଇଲା ।

ଆଖି ତା କଥା କହେ, କହେ ତା ଓଠ, କହେ ତା ନୀଳ ଭୂରୁ ଲତିକା,

ସକଳ ଅଙ୍ଗ ତା ବାଣୀର ମଠ, ସବୁରୁ ଫୁଟେ ମଧୁ ଗୀତିକା ।

 

କବି ମୁଁ ଚାହିଁ ରହେ ଧିଆନେ ତର; କାବ୍ୟ କାହିଁ ମୋର ତା ପାଶେ ?

ସକଳ କାବ୍ୟର ସେ ଏକା ସାର; ତା ବିନା କବି ରହେ ଉପାସେ !

ଧରଣୀ ତଳେ କାହିଁ ଚିତ୍ର କଳା ତା ପାଶେ ଯିବ କଳା ପଡ଼ି ତ !

ନିଖିଳ ପ୍ରକୃତି ଭାଳଇ ପରା ଅଛି ସେ ନିଜ ହାତେ ଗଢ଼ି ତ ।

 

କବି ମୁଁ କହିବିନି ତା କଥା ବେଶି, ସେ ନୁହେ କହିବାର କିଶୋରୀ

ଚମ୍ପାବରଣା ସେ କଜଳକେଶୀ ଧରଣୀ ତଳେ ରୂପ-ଈଶ୍ୱରୀ !

କହିଲେ ତା ରୂପ ଓଜନ ଯେତେ, ଭାଷାରେ ପାରବିନି କହି ହେ

ତା ଗଉରବେ ସେହୁ ଶୋହୁ ହେ ଏଥେ, ଉଜଳି ଏ ନିଖିଳ ମହୀ ହେ ।

 

ସେ ରୂପେ ନିଭୃତେ ପ୍ରଣତି କରି ଆଜି ମୁଁ ପରିତୋଷ ଲଭଇ

ସେ ରୂପ ଅନ୍ତରୁ ଅବନୀ ଭରି କି ମହା ସଙ୍ଗୀତ ଶୁଭଇ !

ପାନ୍ଥ ଧରଣୀର ! ସେ ବାଳା ପାଶେ ମଥା କି ନଇଁ ହୋଇ ଯାଉନି ?

କହିବ ନାଇଁ ଆଉ ସେତିକି ଆସେ, କଥାରେ ସବୁ କହି ହଉନି !

------------

 

ନବ ଯୌବନା

ସୁନାପାଣି ଦିଆ ଯଉବନ ତବ ଅଙ୍ଗେ ଖେଳଇ ଗୋ !

                        କହିବ କି ନାଇଁ କଥା ?

ଓଠରେ ତୁମରି ଅୟିବରବଧୂ ମାଣିକ ଜଳଇ ଗୋ !

                        ପୋତିଚ କାହିଁକି ମଥା !

 

ନୀଳ ଆଖି ତଳୁ ଚୋରା ଚାହାଣୀଟି ଭାଷା ଧଇଲାଣି ଗୋ !

                        ଚାହୁଁ ନ କାହିଁକି ମତେ ?

ନୀଳ ଭୂରୁଲତା ଥିରି ଥିରି ଥିରି ନାଟ ଶିଖିଲାଣି ଗୋ !

                        ଲୁଚିଯାଅ କିଆଁ ପଥେ ?

 

ଗଣ୍ଡ ଗୋଲାପେ ଲାଜ ପାଟଳିମା ମାଡ଼ି ମାଡ଼ି ଆସେ ଗୋ !

                        ଚାହିଁବି ଟିକିଏ ଖାଲି,

କନକ କପାଳେ କନକର ଆଭା ମଞ୍ଜୁଳେ ଭାସେ ଗୋ !

                        ଦେଖିବି ନୟମ ଢାଳି !

 

ମରମ ଭାଷାରେ ସରମ ସୋହାଗ ବସି ଆସିଲାଣି ଗୋ !

                        ମଉନ ରହୁଚ କିଆଁ ?

ଚଞ୍ଚଳ ତବ ଚରଣ ଗତିରେ ଫୁଟିଲାଣି ଠାଣି ଗୋ !

                        ଅସ୍ଥିର ମମ ହିଆ ।

 

ମୁକୁଳିତ ଚୂତ ପଲ୍ଲବ ପରି ପ୍ରଣୟ ସପନ ଗୋ !

                  ପରାଣେ ଦେଲାଣି ଦେଖା,

ପ୍ରଣୟ-କଥାରେ ଉଜଳି ଉଠଇ ଜନକ ଲପନ ଗୋ !

                        ଆଙ୍କି ମୋହନ ଲେଖା !

 

ସମବୟସିନୀ ସାଥେ ପରିହାସ ମିଠା ଲାଗିଲାଣି ଗୋ !

                        ଲୋଡ଼ଇ ତୁମରେ କବି,

ପରିମଳ ପରି ଅନ୍ତର ତବ ମହହି ଗଲାଣି ଗୋ !

                        ଯିବ ବାରେ ଅନୁଭବି ।

 

ସପନପୁରୀର ରାଜଜେମା ତମେ ! ସପନ ଫୁଟାଇ ଗୋ !

                        ଧରାରେ ଆସିଚ ପରା !

ସ୍ୱପ୍ନବିଭୋର ସକଳ ଅଙ୍ଗ ପ୍ରଣୟେ ଲୋଟଇ ଗୋ !

                        ଚକିତ କରୁଚ ଧରା !

 

ସ୍ୱପ୍ନବିଭୋର ଦେହେ ମନେ ତବ ମିଶି ମୁଁ ଯିବଇ ଗୋ !

                        ଏତିକି ମାଗୁଣି କରେ,

ସ୍ୱପ୍ନଭୋର ହୋଇ କାଳ କାଳ ଜୀବନ ନେବଇଁ ଗୋ !

                        ତୁମରି ଯୌବନ ତଳେ !

---------------

 

କିନ୍ତୁ ମନେରଖ

ତୁମେ ଗୋ ରହିପାର ଅତୁଳ ବଇଭବେ,

କୁବେର ପୁରୀ ଯହିଁ କରଇ ଲୀଳା ଖେଳା,

ତୁମେ ଗୋ ରହିପାର ଯେଉଁଠି କାଳ କାଳ

ପୋଇଲି ପରିବାରୀ ନିୟତ ଭେଳା ଭେଳା ।

ତୁମେ ଗୋ ପାଇପାର ଜୀବନେ ପ୍ରିୟତମ

ଯେ ଖାନ୍‌ଦାନ୍ ଘରେ ନିୟତ ଅଛି ବଢ଼ି,

କିନ୍ତୁ ମନେ ରଖ ପାଇତ ପାରିବନି

ତୁମରି ଆରାଧନା କରେ ଯେ ବୁକୁ ଭରି ।

 

ଦୁଃଖୀ କୁଟୀରେ ମୋ ତୁମରି ପଦପାତ,

ଲାଗିବ କୋଟିନିଧି ପାଇଲା ପରି ମତେ;

ଆଖିର ଲୁହ ଦେଇ, ଓଠର ହସ ଦେଇ,

ତୁମକୁ କରୁଥିବି ନିଜର ସନ୍ତତେ !

ତୁମରି ମୃତ୍ୟୁରେ ଅଶ୍ରୁ କବିତାରେ

ତୁମରି ସମାଧି ମୁଁ ରଚିବି ମନୋରମ,

ଅସୀମ କାଳ ଧରି ତୁମେ ଗୋ ମୋର ପ୍ରିୟା

ମୁଁ ଥିବି ହୋଇ ତୁମ ପରାଣ ପ୍ରିୟତମ !!

-------------

ପାରିବ ?

ଜନମେ ଜନମେ ତୁମେ ଜୀବନର ସାଥି

ଯେବେ ହେବନାଇଁ ମୋର, ଅନ୍ଧକାର ରାତି,

ଚିରଦିନ ରହିଥିବ ପ୍ରାଣ ଦିଗ୍‌ବଳୟ

ଚତୁର୍ଦ୍ଦିଗ ବେଢ଼ି, ଆଉ ବସନ୍ତ ମଳୟ

ଚମ୍ପକର ମଧୁଗନ୍ଧ ଧରି ବୋହିବନି,

ସାଗ ଜୀବନଟା ମୋର ନିସ୍ତବ୍‌ଧ ରଜନୀ-

ପରି ଖାଲି ଦିଶୁଥିବ । କାକ କୋକିଳର

ମଧୁ ତାନେ ହେବନାଇଁ ଜୀବନ ମୁଖର;

ମୃତ୍ୟୁଠାରୁ ବଳି ମୋର ସମସ୍ତ ଜୀବନ

ଲାଗୁଥିବ ଭୟାବହ, ନିଦାରୁଣତମ;

ମୋରେ ତୁମେ ଏଇଭଳି କଲବଲ କରି

ପାରିବ କି ରଖି ସଖି ! ଯୁଗ ଯୁଗ ଧରି ?

ପାଲଟି ପାରିବ ତୁମେ କଠୋର ପାଷାଣ

ହୋଇ ଏତେ ସୌନ୍ଦର୍ଯ୍ୟର ଅମୃତ ନିଧାନ ?

-----

 

ଯେବେ ଦିଅନ୍ତି ଚାହିଁ

ଓଠ ମଧୁହାସେ କହିଲନି ପଦେ !

ଚାହିଁଲନି ଲବେ ସେନେହ ଭରେ !

ଫୁଟି ଆସୁଥିଲ ମୋହରି ପାଇଁକି

ଲୁଚି ଗଲ କେଉଁ ପତର ତଳେ;

ଲୁଚି ଲୁଚି ଦିନେ ଚାହୁଁଥିଲ ମୋରେ

ସେ ଚାହାଣୀ କିବା ପୀୟୂଷଭରା !

ସବୁ ଲୁଚିଗଲା କେଉଁ ଆଢ଼ୁଆଳେ

ଆଉ ଫୁଟିନାଇଁ ଆସିଲା କରା !

 

ତୁମେ ଚାଲିଗଲ ତୁମରି ଅୟନେ

ମୁହିଁ ଦୁରେ ନାଇଁ ପାରିଲି ଚାଲି,

ଚାହିଁ ରହିଲ ଯା’ ଏ ଗଛ ପତରେ

ତୁମକୁ ନିୟତେ ସୋହାଗେ ଭାଳି !

ଓଠ ତଳୁ ମୋର ନିଭିଗଲା ହସ,

ମନୁ ମରିଗଲା ମୋହନ ଶିରୀ,

ଚାରିଆଡ଼ ମତେ ଲାଗିଲା କି ଅବା

ସୀମାହୀନ ମରୁ ସାହାରା ବାଲି ।

 

ରହିଲି ମୁଁ ସିନା, ରହି କି ପାରିଲି

ହସି ଖେଳି ସୁଖ ସୋହାଗ ଭରେ ?

ଫୁଟିଲି ମୁଁ ସିନା, ଫୁଟି କି ପାରିଲି ?

ସବୁ ଶିରୀ ଢାଳି ଧରଣୀ ତଳେ;

ରହିଗଲା କେତେ ମନର ପିପାସା

ରହିଗଲା ସେ ତ ଫେରିବ ନାଇଁ,

ରହି ପାରନ୍ତା ତୁମେ ଯେବେ ଥରେ

ପତର ଗହଳୁ ଦିଅନ୍ତ ଚାହିଁ !

-------------------

ମାନସୀ ରାଣୀ

ମୁଁ ତ      ମୋହରି କୁଟୀରେ ଗୁଣୁ ଗୁଣୁ ଗୀତ ଗାଏ ଗୋ !

ସେ’ ତ      ଜାଣିଶୁଣି ମୋରେ କଥା ପଦେ ଆସି କହେନା,

ତାକୁ      ମରମେ ମରମେ କେତେ ମୁହିଁ ଭଲ ପାଏ ଗୋ !

ତା’ର      ଟିକକ ନିନ୍ଦା ନିମିଷେ ମୁଁ ବାରେ ସହେନା !

 

ମୋର      ହୃଦୟବେଦନା ସେ କାହୁଁ ସରଳା କଳିବ ?

ମୋର      ଆଖିର ଲୋତକ ଆଖିରେ ତ ଯାଏ ମରି ଗୋ !

ମୁଁ ତ      ଜାଣେ ନା ସେ କା’ରେ ବକ୍ଷ ପତାଇ ବରିବ

ମୋର      ଯଉବନ ଚାହେ ଯିବ ତା’ ଅଙ୍ଗେ ଜରି ଗୋ !

 

ମୁଁ ତ      ସଂଧ୍ୟାର ସୁନା ମେଘରେ ଦେଖେ ତା’ ଛଇ ଗୋ !

ସେ’ବା      ନାଚି ନାଚି ଆସେ ବରଣର ଡାଲା ଧରି କି ?

ମୁଁ ତ      ଫୁଲେ ଫୁଲେ ଦେଖେ ହସୁଚି ସେ କଥା କହି ଗୋ !

ମୋର      ଅନ୍ତର ନାଚେ ଶରତ୍ ଜୋତ୍ସ୍ନା ପରି କି ?

 

ଯେବେ      ନଈ ସଇକତେ ବୁଲେ ମୁଁ ସାନ୍ଧ୍ୟ ବିହାରେ,

ଶୁଣେ      କଳ କଳ କଳ ବେଣୁ ବୀଣା ତାନ ନଈର;

ଲୋଡ଼େ,      ପାଶେ ଥିଲେ ମୋର ଗୋପନ ମନର ପ୍ରିୟାରେ

ମୁଁ କି      ହୋଇ ନ ଥାନ୍ତି ଦିଲ୍ଲୀ ବାଦଶା ମହୀର

 

ସେ ଗୋ ! ମାର୍ତ୍ତ୍ୟ ଧରାରେ ଅପ୍‌ସରା ନବ ଛଇଳା

ତା’ର      କଟାକ୍ଷେ କିବା ଭୁବନମୋହିନୀ ମାୟା ଗୋ !

ସେ ଗୋ ! ଏତେ ରସବତୀ ରସ ସାଗରର ମହିଳା

ମନ      ଉଲସି ଉଠିବ ଦେଖିଲେ ଖାଲି ତା’ ଛାୟା ଗୋ !

 

ମୁଁ ତ      ଚାହିଁ ଚାହିଁ ଆସେ ଚାହିଁ ଚାହିଁ ନିତି ଫେରେ ଗୋ !

ମୋର      ସମସ୍ତ ଦେଇ କେତ ତା’ରେ ଭଲ ପାଇନି !

ତା’ରେ      ରାତି ହେଲେ ପୁଣି ଦେଖେ ମୁଁ ସପନ ଖେଳେ ଗୋ

ତା’ରେ      ପାଗଳ ପରି ମୁଁ ନିର୍ଜନେ କେତେ ଧ୍ୟାୟିନି !

 

ସେତ      ଆପଣାର ମୋର ଅତି ଆପଣାର ଜଣେ ଗୋ !

ମୁଁ ଗୋ ! ଯହିଁ ଯାଏ ସିଏ ନୟନେ ନିୟତେ ଭାସଇ;

କିବା      ଆକାଶ ପବନ ନଈ ହ୍ରଦ ବିଲ ବନେ ଗୋ

ମୁଁ ଯେ      ଏତେ ଲୋଡ଼େ, ତା’ର ମନେ କି ଏ କଥା ଆସଇ ?

 

ମୁଁ ତ      ପଲ୍ଲବେ କହେ, କହେ ବାଆ ସନ୍‌ସନେ ଗୋ

ମୁଁ ତ      ଆଦ୍ୟ ଆଷାଢ଼ ମେଘ ମନ୍ଦ୍ରରେ କହଇ

ମୁଁ ତ      କହେ ନଈ ନାଳ ପରବତ ବିଲ ବନେ ଗୋ !

ତା’ର      ବିହୁନେ ମୋ ବୁକେ ତୀବ୍ର ଦହନ ଦହଇ !

 

ଗାଆ      ମାଧବୀ କୁଞ୍ଜେ କୋକିଳ ତୁ ଆଜି ଗାଆରେ !

ଆସ      ଜ୍ୟୋତ୍ସ୍ନା ଲହରୀ ଉପରେ ଲହରୀ ଖେଳାଇ,

ବହ      ମନ୍ଦ ମଳୟ ଛନ୍ଦେ ନୃତନ ରାହାରେ !

ନାଚ      କଳାପୀ କୁଳହେ କଳାପ ମେଲାଇ ମେଲାଇ;

 

ନଭେ      ନାଚି ନାଚି ଯାଅ ହେ ଧବଳ ମେଘ ମାଳିକା !

ଫୁଲ      ଫୁଟି ଫୁଟି ଯାଅ ଗନ୍ଧେ ଆମୋଦି ଧରଣୀ,

ସେଇ      ଉର୍ବଶୀ ପରି ପଲ୍ଲୀକିଶୋରୀ ବାଳିକା

ମୋର      ନୟନ ଦୁଇର ହେଉ ସୀମାହୀନ ସରଣୀ ।

 

ମୋର      ଯାହା ଅଛି ଯାଉ ସକଳ ତିମିରେ ମିଳାଇ,

ମୁଁ ଗୋ      ଖୋଜି ଖୋଜି ତା’ରେ ନ ପାଏ ନ ପାଏ ନ ପାଏ !

ସେ ଗୋ      ବିଦ୍ୟୁତ ପରି ଦୁରେ ଦୁରେ ଯାଉ ପଳାଇ,

ମୁଁ ଗୋ      ଖୋଜି ଖୋଜି ତା’ରେ, ତାହାଠି ଜୀବନ ହଜାଏ !

-----------------------------------

 

 

ତାର ଅନ୍ତର ଭରା ଚାହାଣୀ

                   ତାର ଅନ୍ତର ଭରା ଚାହାଣୀ

ମୋର ମନେ ପଡ଼ି ପଡ଼ି ଯାଏ ଗୋ !

ମତେ ବିଜନେ ନୀରବେ କେତେ ସେ

ଆହା ନିତି ନିତି ଭଲ ପାଏ ଗୋ !

 

ଯେବେ ସେଦିନ ବିଦାୟ ନେଇ ମୁଁ

ଆସେ କୁଟୀର ଦୁଆରୁ ତାହାରି,

ସେତ ରହି ପାରିଲାନି ଆସିଲା,

ମୋର ପଛେ ପଛେ ଘରୁ ବାହାରି !

 

‘‘ଆଜି ଫେରିଯିବ ସଖା ତୁମେ ହେ

ଆଉ ଦେଖା ହେବ ନାଇଁ ସତେ କି ?

ତୁମେ କାଳ କାଳ ପାଇଁ ନିଦୟେ

ପୋଛି-ଦେବ ମରମରୁ ମତେ କି ?’’

 

ନୀଳ ନୟନ ଯୁଗଳୁ ଲୋତକ

କେତେ ଝର ଝର ବୋହିଲା,

ତା’ର ସକଳ ଅଙ୍ଗ କି ବାଣୀ-

ମତେ କରୁଣ ଭାଷାରେ କହିଲା !

 

ଲୁହ ପୋଛି ଦେଇ ନୀଳ ନୟନୁ

ତାର ନୟନେ ନୟନ ଢାଳି ଗୋ !

କେତେ ବେଳ ଯାଏଁ ଚାହିଁ ରହିଲି

ହେଲା ଯିବି ନାଇଁ ଗୋଡ଼ କାଢ଼ି ଗୋ !

 

ସେତ ଲୁହ ପୋଛି ପୋଛି ବସନେ

ଗଲା ଚାହିଁ ଚାହିଁ ଘରେ ଚଳି ଗୋ !

ମୁଁ ତ ଆସିଲି ମୋହରି ଅୟନେ

ମୋର ନୟନରେ ଲୁହ ଭରି ଗୋ !

 

ପଥେ କେତେ ଯେ ଚିତ୍ର ଦେଖିବି,

କେତେ ଶୁଣିବି ମୋହନ କାହାଣୀ,

ମୋର ବୁକୁ ତଳେ ଥିବ ଲେଖା ଗୋ !

ତା’ର ଅନ୍ତରଭରା ଚାହାଣୀ !

----------

 

ଧନ୍ୟ

କାହା କୁଟୀରର ମଧୁ ସମ୍ପଦ ତମେ !

ମୋହ ତୁଲେ ଆଜି

ଯୁକ୍ତ ହୋଇଚ ଅମୃତ ବନ୍ଧନେ !

 

ମୋରେ ଦେବା ପାଇଁ ଆନନ୍ଦ ଚିରକାଳ

ମୋର ଲୋଚନ ଯୁଗଳୁ ପୋଛିଦେବା ପାଇଁ

ବେଦନାର ଲୁହ ଧାର !

ଫୁଟିଅଛ ତମେ ଏ ମାଟି ଉପରେ

ଗୋଲାପ କଳିକା ପରି,

ତୁମରି ବୁକୁର ସବୁ ସଉରଭ

ଦେଉଅଛ ମତେ ଭରି;

ଏତେ ସମ୍ପଦେ ଜୀବନର କିଏ ପାଏ ?

ଏଡ଼େ ଭାଗ୍ୟ କାହାର ଥାଏ ?

ଏତେ ତନ୍ମୟ ହୋଇ

କିଏ ମତେ ଏତେ ଚାହେଁ !

 

ଦୁଃଖ ବେଦନା ଅଭିଶାପଭରା ଜୀବନରେ

କିଏ ହେବ ଏଡ଼େ ସାଥୀ

ଆନନ୍ଦମୟ ଅମୃତମୟ କରିବା ପାଇଁ କି ମତେ

ପାତି ଦେବ ତାର ଛାତି ।

ଅନ୍ତର ଭରା ଆଶ୍ଳେଷ ଦେଇ

ପଚାରିବି କିଏ ମୃଦୁ ମଞ୍ଜୁଳ ବାଣୀ

ତୁମେ ରଜା ହେଲେ

ମୁଁ ହେବି ତୁମରି ରାଣୀ ।

ତୁମେ ଭିକ୍ଷୁକ ହୋଇ

ବୁଲିଲେ ହେ ସାଇ ସାଇ

ଅଣ୍ଟି ପାତି ମୁଁ ଭିକ୍ଷା ମାଗିବି

ତୁମ ସହ ଥାଇ ଥାଇ !

 

ତୁମରି ମରଣେ, ତୁମରି ଚିତାର-

ତଳପେ ପଡ଼ିବ ଢଳି;

ତୁମେ ବିଶ୍ୱର ଯେଉଁ ପାରେ ରହ

ତୁମ ସହ ଥିବି ରହି ।

ଏଇ ଅଧିକାର ଟିକ,

ତୁମରି ପାଖେ ମୋ ଅଳି !’

ଏଇଭଳି ଏକ ସୁନ୍ଦର ଜୀବନରେ-

ପାଇ ମୁଁ ଧନ୍ୟ ନିଖିଳ ଧରଣୀ ତଳେ ।

----------

 

ପ୍ରୀତି-ତୃଷ୍ଣା

ମନେ ହୁଏ ବୁଝୁଥିବ ସେହୁ ମୋ ଅନ୍ତର କଥା,

ମନେ ହୁଏ ଶୁଣୁଥିବ ମୋର ଜ୍ୱାଳାମୟ ବ୍ୟଥା;

ମନେ ହୁଏ ମନେ ମନେ ଲୋଡ଼ୁଥିବ ସିଏ ମତେ,

ମନେ ହୁଏ ମୋ ଦରିଦ୍ର ଜୀବନର ଯାତ୍ରା ପଥେ-

 

ସାଥୀ ହେବା ପାଇଁ ସେହୁ ଲୋଡ଼ୁଥିବ କେତେ ପରି,

ମୋ ଅଭାବେ ନେତ୍ରୁ ତା’ର ଅଶ୍ରୁ ପଡ଼ୁଥିବ ଝରି !

ଜୋଛନା ନିଶୀଥେ ମତେ ଖୋଜୁଥିବ ବାରବାର

ବସନ୍ତ ମଳୟେ ଥରି ଉଠୁଥିବ ଦେହ ତା’ର !

 

ବରଷା ସଂଧ୍ୟାରେ କେଉଁ ତା’ ନିଃସ୍ୱ କୁଟୀର କଣେ

ଭାଳୁଥିବ ମୁଁ ପହଞ୍ଚି ଯାଆନ୍ତି କି ସେଇକ୍ଷଣେ !

ରାତି ହେଲେ କେତେରୂପେ ଦେଖୁଥିବ ମୋ ସପନ

ମୁଁ ଯେହ୍ନେ ତା’ ଜୀବନର ଏକମାତ୍ର ଗଣ୍ଠିଧନ !

 

ତା’ ଯୌବନ ଅଙ୍ଗଲତା ମୋ ଦେହେ ମଡ଼ାଇ ଦବ

ତହିଁରେ ଫୁଟିବ ତା’ର ଜୀବନର ଗଉରବ !

ତାହାର ସମସ୍ତ ଶିରୀ ଦେବ ସେହୁ ମତେ ଖାଲି

ଜାଣେନା କି ବଡ଼ କରି ମତେ ସେ ଦେଖିଚି ପାରି !

 

ତା’ ହୃଦୟ ସିଂହାସନେ କେତେ ଦିନୁ ରଖି ମତେ

ପୂଜା ସେ କରୁଚି ଆହା ଚିରଦିନ କି ଉଷତେ !

କେତେ ଥର ଦେଖିଚି ମୁଁ ମୋରେ ଟିକେ ଚାହିଁଦେଇ

ହସି ହସି ଲାଜେ ମଥା ପୋତି ଦିଏ କାହିଁ ପାଇଁ ?

 

ଯେଉଁ ଦିନ ନ ଥିବ ମୋ ଅଧରେ ଆନନ୍ଦ ହାସ,

ପାଇଥିବି ଧରଣୀରେ ଗଭୀର ବେଦନା ପ୍ରାସ-

କଳାକାଠ ପଡ଼ି ଯାଇଥିବ ମୋ ଅଧର ମୁଖ

ଧରଣୀରେ ମୋରେ କିଛି ଲାଗୁତ ନ ଥିବ ସୁଖ ।

 

ସେ ଦିନ ସାକ୍ଷାତ ହେଲେ ଗୋଲାପ କଳିକା ପରି-

ତା’ର ଯଉବନ ଅଙ୍ଗୁ ମରି ଯାଇ ଥାଏ ଝଳି ।

ମୋର ଦୁଃଖ ଜୀବନର ସମସ୍ତ କାହାଣୀ ତାରେ

ନ କହିଲା ଯାଏଁ ଥୟ ରହିତ ପାରେନା ବାରେ,

 

ଗୋଟିଏ ନିମଷେ ଯେହ୍ନେ ବିତିନି ତାହାର ବାରେ

ମୋରେ ତା’ର ଅନୁଭବେ ନ ଆଣିଚି ଏ ସଂସାରେ

ଏବେ ସିନା ଦେଖିନି ମୁଁ ତା’ରେ ବହୁଦିନ ଧରି

ସେ କି ମୋରେ ଦିନ ରାତି ନଥିବ ନୀରବେ ସ୍ମରି !

ସାଥୀ କରି ଜୀବନରେ କାରେ ସେ ନ ଥିବ ନେଇ,

ତା’ ଆଖିରେ ପ୍ରାଣବନ୍ତ ଦିଶୁ ତ ନ ଥିବେ କେହି ।

 

ଏବେ ମଧ୍ୟ ରହିଥିବ ସୂର୍ଯ୍ୟମୂଖୀ ପରି ଚାହିଁ

ଏବେ ମଧ୍ୟ ତା’ ଅନ୍ତର କାନ୍ଦୁଥିବ ମୋହ ପାଇଁ ।

ଯେଉଁଆଡ଼େ ଚାହୁଁଥିବ ଦିଶୁଥିବ ଛାୟା ମମ

ଖୋଜୁଥିବ ପାଇବାକୁ ମୋ ବାହୁର ଆଲିଙ୍ଗନ !

 

ନୟନେ ନୟନ ଢାଳି ହେବା ପାଇଁ କଥାଭାଷା

ବୁକୁ ତଳେ ଜାଗୁଥିବ ତା’ର କି ଅଦମ୍ୟ ଆଶା !

ଗୋଟିଏ ନିମେଷ ଖାଲି ବକ୍ଷେ ବକ୍ଷ ଦେଇ ଢାଳି,

ପ୍ରାଣବାୟୁ ଉଡ଼ିଯାନ୍ତା ଏ ମହା ଧରଣୀ ଛାଡ଼ି –

 

ଭାଳୁଥିବ ବାରବାର ବସି କେଉଁ ଅନ୍ଧକାରେ,

ନିଜ ବିନୁ ଆନ କେହି ଜାଣୁ ତ ନ ଥିବେ ବାରେ ।

ତାର ଦେହ ମନ ପ୍ରତି ରେଣୁରେ ରେଣୁରେ ମମ

ଏ ଜୀବନ ଜାଗୁଥାଇ ହୋଇ କିବା ଅନୁପମ !

 

ମୋ ପାଇଁ ସେ ରଖୁଥିବ କେତେ କାହିଁ ସ୍ୱପ୍ନପୁରୀ

ଦିବା ନିଶି ମୋହ ପାଇଁ ନିତି ହେଉଥିବ ଝୁରି !

 

କେତେ ଝଡ଼ କେତେ ବାତ୍ୟା ଭେଦି ମତେ ଥିବ ଚାହିଁ

କେଉଁଠି ସେ ରହିଥିବ ବଞ୍ଚି ଖାଲି ମୋହ ପାଇଁ ।

 

ପୃଥିବୀର କେଉଁପାରେ ଅଛି ଏ ଜୀବନ କହ !

ଅନ୍ତର ଅନ୍ତର ସହ ମାଗେ ଯହିଁ ପରିଚୟ !

ପୃଥିବୀର କେଉଁପାରେ ଅଛି ଏଇଭଳି ଦେଶ

ଜଣେ ପାଇଁ ଆନ ଯହିଁ ଢାଳେ ଅଶ୍ରୁ ଅହର୍ନିଶ !

 

ପୃଥିବୀର କେଉଁ ପାରେ ଅଛି ଏଇଭଳି ଥାନ

ଅନନ୍ତ ସେନେହ ଯହିଁ ବାନ୍ଧି ପାରିଚି ଏ ପ୍ରାଣ !

ପୃଥିବୀର ସେଇ ପାରେ ଯିବି ମୁହିଁ ଯିବି ଉଡ଼ି

ଯେଉଁଠି ମୋ ପାଇଁ କିଏ ଚିରନ୍ତନ ହୁଏ ଝୁରି !

 

ପୃଥିବୀର ସେଇ ପାରେ ମୋ ରାଇଜ ମୋର ଘର

ଯେଉଁଠି ମୋ ଅଶ୍ରୁମାଗେ ଅଶ୍ରୁଆନ ନୟନର !

      -------------------

 

ତୁମରି ଆଶେ

ସେନେହ କାହାଠୁ ପାଇନାଇଁ ବୋଲି ସିନା,

ତୁମରେ ଚାହୁଁଚି ଏତେ ଥର ଥର କରି,

ଏ ବୁକୁର ପ୍ରତି ଶିରାରେ ଶିରାରେ ତମେ

କି ମିଠା ପୀୟୁଷ ଦେବ ଗୋ ରୂପସି ଭରି

ଏ ମହା ବିରାଟ ବସୁନ୍ଧରାର ପରେ,

ତୁମଠୁ ଦୃଷ୍ଟି ଫେରାଇ ପାରୁନି କାହିଁ,

ସେନେହ ନୟନେ ଚାହିଁବନି ମତେ ଥରେ ?

ହୃଦୟ ବେଦୀରେ ତିଳେ ବସାଇବ ନାଇଁ !

 

ସମ୍ରାଟ ସମ ଗଉରବ ମୋର ନାଇଁ

ଧନ ଦଉଲତ କ୍ଷମତା ଆଡ଼ମ୍ବର,

ସବୁଥିରୁ ମୁହିଁ ବିଚ୍ୟୁତ କାଳ କାଳ,

ମହା ସଂସାରେ ମୁହିଁ ଦରିଦ୍ରତର,

ଗଗନ ଚୁମ୍ବୀ ହର୍ମ୍ୟ ମୋହରି ନାଇଁ

ନାଇଁ ବେଶଭୂଷା ନାଇଁ ପଦ ମର୍ଯ୍ୟଦା,

କିନ୍ତୁ ରଖିଚି ତୁମରି ପାଇଁ ମୁଁ ସଖି !

ଗୋଟିଏ ମରମ ସେନେହ ଆର୍ଦ୍ର ସଦା !!

 

ଯେତିକି ଦେଖୁଚି ସେତିକି ହେଊଚି ମନ,

ଏକାନ୍ତେ ଦେବି ଚୁମ୍ବନ ଓଠେ ତବ,

ପ୍ରେମିକ ଠାଣିରେ ତୁମରି ନୟନେ ଚାହିଁ,

କହିବି ତୁମେ ମୋ ଶ୍ରେଷ୍ଠ ଯେ ଗଉରବ !

ଯେତିକି ଦେଖୁଚି ସେତିକି ବକ୍ଷତଳେ

ଗଭୀର ପିପାସା ବାର ବାର ଉଠେ ଜାଗି,

କହିବି ମୁଁ ତୁମ ଯୋଗ୍ୟ ନହେଲେ, ହେଲେ

ଚିରଦିନ ତୁମ ରୂପରେ ମୁଁ ଅନୁରାଗୀ !

 

ଯେତିକି ଦେଖୁଚି ସେତିକି ମୁଁ ଆଜି ଭାଳେ,

ତୁମଭଳି ମୋର କିଶୋରୀ ନ ହେଲେ ସାଥି,

ଏ ମହା ଧରାରେ ବିଞ୍ଚି ରହିବି ସିନା,

ଚିରଦିନ କରି ପଥର ମୋର ଛାତି !

ଏତେ ଚଞ୍ଚଳ ଏତେ ମୁଁ ଅଧୀର ହୁଏ,

ବୁକୁ ପାତି ମୋରେ ନିଅନ୍ତି ବୋଲି ଥରେ !

ତୁମ ଲାବଣ୍ୟେ ବୁଡ଼ି ରହନ୍ତି ବୋଲି

ମଧୁ କଳ୍ପନା କେତେ ମୁହିଁ ନାଇଁ କରେ ?

 

ଦେଖୁଚି ତୁମରି ନବ ଯଉବନ ତନୁ,

ବିଦ୍ୟୁତ ସମ ଦିଶେ ଯାହା ଝଲମଲ,

ଦେଖୁଚି ତୁମରି ମୁଖରେ ଗଠନ କଳା

ଚାହିଁଲେ ପାଷାଣୁ ଉଠିବ କବିତା ଝର ।

ତୁମରି ଭିତରେ ତୁମରି ଭିତରେ ମୁହିଁ,

ଚିର ଦିନ ରହି ଗାଇବଇଁ ମଧୁଗାନ;

ମନା କର ନାଇଁ ମନା କର ନାଇଁ ମତେ,

ଅନ୍ତରେ ତବ ଦିଅ ମତେ ସଖି ଥାନ

 

ମା ବୁକୁ ଭିତରେ କାନ୍ଦୁଚି କିଏ ଜଣେ,

ତୁମରି ପୀରତି ପାଇବକୁ କାଳ କାଳ;

ତାହା ତହୁଁ ବଳି କିଏ ତୁମ ଏତେ ପ୍ରିୟ ?

କିଏ ଅଛି ଏଡ଼େ ପ୍ରାଣଭରା ସମ୍ଭାର ?

ଯିଦ୍‌ କରି ମୁଁ ପାରିବି ପାରିବି କହି,

ମୋ ଶୋଣିତ ପ୍ରତି ବିନ୍ଦୁରେ ଅନୁଭବି,

ତୁମକୁ ଭୁବନେ ମୁଁ ଯେ ଭଳି ଦେଖିପାରେ,

ତୁମ ପାଇଁ କେହିଁ ଉଠେନି ସେଭଳି ଦ୍ରବି !

 

ମୋର ପ୍ରତି ଇନ୍ଦ୍ରିୟେ ତୁମେ ଖାଲି ଢଳ ଢଳ !

ତୁମ ପାଇଁ ଏତେ ମମତା ମୋ କାହୁଁ ଆସେ ?

ସୁନ୍ଦର ତୁମେ ! ସୁନ୍ଦର ! ସୁନ୍ଦର !

ଚିର ଦିନ ମୁହିଁ ରହିଚି ତୁମରି ଆଶେ !

----------------

 

ଗୋପନେ ଗୋପନେ ଚାହିଁ ରହିଲେ

ମୋ ରକତ ମାଉଁସର ତଳେ ତଳେ କିଏ ସେ

ଚଞ୍ଚଳ ହୋଇ ଉଠେ

ମଧୁଟିକ ପାଇଁକି !

ଦେଖି ଯାଏ, ଚାହିଁ ଯାଏ, ମାଗି ଯା, ଗୋପନେ,

ଓଠ ଫେଇ କହି ପାରେ ନାହିଁ କହ କାହିଁକି ?

ଗୋପନେ ଗୋପନେ ଖାଲି ନିତି ଚାହିଁ ରହିଲେ

ତଥାପି ମଧୁ ଧାରା ଝରି ଆସେ ପହିଲେ !

 

ଆସେ ସେହି ଓଠ ଆଖି ତଳୁ

ଦେହ ଓ ମନର ପ୍ରତି ରେଣୁରୁ,

ଅସୀମର ରୂପ ଧରି

ବିମୁଗ୍‌ଧ କରି କରି

ରଚି ଯାଏ ବନ୍ଧନ ରଚିଯାଏ ମାୟା ଯେ !

ମୋ ଭିତରେ ମୋ ବାହାରେ ଖେଳି ବୁଲେ

ସରଗର ଛାୟା ଯେ,

 

ସୁନ୍ଦର ମଧୁମୟ ଏ ଭୁବନେ ଭରି ଯାହା ଅଛଇ

ଅମୃତମୟ କରି ଜୀବନକୁ ନିତି ନିତି ରଚଇ

ତା’ ପରଶେ ଫୁଟି ଉଠେ

      ରୁକ୍ଷ ଶିଳାରେ ସଜପଦ୍ମ;

ଖୋଲିଯାଏ ଯେତେ ଯାହା ଛଦ୍ମ;

ଚାଲେ ସେହୁ ଚାଲେ କିବା ନିଖିଳର ଚିତ୍ତରେ

ଆପଣାକୁ ଗଉରବେ ଫୁଟାଇ

ଯେତେ ଯାହା ଭ୍ରାନ୍ତି ଓ କଳ୍ମଷ ନିତି ନିତି ତୁଟାଇ ।

 

କହିବନି କହିବନି ଅକୁହାରେ ପାଉଥିବି

ସେନେହ ଓ ସୁହାଗର ବିମୋହନ ଝଳିଁ ଗୋ !

ଅଜଣାରେ ନେଉଥିବି ଚିରଦିନ ନିଜରୁ

ନିଜର ମୁହିଁ କରି ଗୋ !

ଅଦେଖାରେ ଦେଉଥିବି ଚୁମ୍ବନ ଶତ ଶତ

ଗଢୁଥିବି ସୀମାହୀନ ସପନର ମୂଲକ

ଭରି ଏଇ ଗୋଲକ !

ଅଦେଖା ଓ ଅଜଣାରେ ସୀମାହୀନ ମିଠା ଗୋ !

ତୃପ୍ତିର ଶେଷ ନାଇଁ ତହିଁରେ !

ଚିର ଦିନ ଚଞ୍ଚଳ ନିର୍ମଳ ସୁନ୍ଦର ଦିଶୁଥିବି ମୁହିଁ ଗୋ !

ତା’ରେ ଗୋପନେ ଗୋପନେ ଚାହିଁ ରହିଲେ !

---------

 

ଅଦ୍ୱିତୀୟା

ପ୍ରଥମେ ପ୍ରଥମେ ମୁହିଁ ଯେତେବେଳେ

ଏଇ ପଥଧାରେ ତୁମରେ ଚାହେଁ,

ପ୍ରଭାତୀ ଆକାଶ ଅରୁଣିମା ପରି

ଅନ୍ତର ମୋର ପୁଲକି ଯାଏ !

 

ଥର ଥର କରି ଚାହେଁ କେତେ ଥର

କେତେ ଯେ ତୃପ୍ତି ପାଏ ଅବିରଳ,

ତୁମରି ରୂପର ବନ୍ଦନା ଗୀତି ନୀରବେ ଗାଏ

ପ୍ରଭାତୀ ଆକାଶ ଅରୁଣିମା ପରି

ଅନ୍ତର ମୋର ପୁଲକି ଯାଏ !

 

ତୁମେ ମତେ ଚାହିଁ, ମୁଁ ତୁମରେ ଚାହେଁ,

କେତେ ଦିନ ଗଲା ଏଭଳି ଚାଲି

ଚିତ୍ତ ବଳିଲା       ହୃଦୟ କବାଟ

ଖୋଲି କହିବାକୁ ପଦିଏ ଖାଲି

ମନର ବାସନା ରହି ମନେ ମନେ

ଉଚ୍ଚାଟ ମୋର କଲା ପ୍ରତିକ୍ଷଣେ !

ଗୋଳି ହୋଇ ଯିବି ତୁମଠି ପ୍ରାଣର ଆବେଗ ଢାଳି,

ଚିତ୍ତ ବଳିଲା      ହୃଦୟ କବାଟ-

ଖୋଲି କହିବାକୁ ପଦିଏ ଖାଲି !

 

ପ୍ରଥମେ ଯେ’ ଦିନ            ଏ ଅଧରୁ ମୋର

ଫୁଟିଲା ଗୋ ବାଣୀ ତୁମରି ଲାଗି,

ମନେ ଅଛି ମୋର             ଅଙ୍ଗେ ଅଙ୍ଗେ

ରୋମାଞ୍ଚ କିବା ଉଠିଲା ଜାଗି !

 

କେତେ ଯେ ସ୍ୱପ୍ନ କେତେ ଦିନ ଧରି

ଅନ୍ତରେ ଥିଲି ତୁମ ପାଇଁ ଭରି,

କିଛି ଫୁଟିଲାନି ପାରିଲାନି କିଛି ମାଗୁଣି ମାଗି ।

ମନେ ଅଛି ମୋର             ଅଙ୍ଗେ ଅଙ୍ଗେ

ରୋମାଞ୍ଚ କିବା ଉଠିଲା ଜାଗି !

 

ସେନେହ ନମ୍ର             ନୟନ ଯୁଗଳେ-

ଚାହିଁ ଥାଏ, ଭାଷା ରୁଦ୍ଧ ହେଲା,

ତାହାରି ଭିତରେ             କୋଟି ସମ୍ପଦ

ତୁମରି ଭିତରୁ କିଏ ସେ ଦେଲା ।

 

ଚାହାଣୀରୁ ମୋର ବୁଝି ନେଲ ଖରେ

କି ଭାଷା ଜାଗଇ ମୋର ବୁକୁତଳେ,

ସେ’ ଦିନୁ ମୋ ଲାଗି ଅନ୍ତର ତବ ରଖିଲା ଖୋଲା

ତାହାରି ଭିତରେ             କୋଟି ସମ୍ପଦ

ତୁମରି ଭିତରୁ କିଏ ସେ ଦେଲା !

 

ପ୍ରାଣର ବେଦନା            ହୃଦୟ ଆବେଗ

ମରମର ଭାଷା ବୁଝିଲ ତମେ

ଜୀବନର ସବୁ             ସଞ୍ଚିତ ଶିରୀ

ଢାଳିଦେଲା କିବା ସୋହାଗ ମନେ !

ପାରିଲ ତ ବୁଝି ହେ କିଶୋରୀ ବଧୁ

ପିଇବାକୁ ତୁମ ଅନ୍ତର ମଧୁ-

ଜାଗ୍ରତ ଏଇ କିଶୋର ଭୃଙ୍ଗ କି ଉନ୍ମନେ !

ଜୀବନର ସବୁ       ସଞ୍ଚିତ ଶିରୀ

ଢାଳି ଦେଲ କିବା ସୋହାଗ ମନେ !

 

ତୁମ ତହୁଁ        ବଳି      ପ୍ରାଣର ଦଇନି

ଏ ଧରଣୀ ପରେ ବୁଝିବା ପାଇଁ,

ଦେଖୁଚି ଜାଣୁଚି             ହେ ମୋ କଲ୍ୟାଣି !

ମୋର ହୋଇ କେହି ଦ୍ୱିତୀୟ ନାଇଁ

କେଉଁ ମରୁଭୁଇଁ ବାଲି ଶେଯ ତଳେ,

ଉତ୍ସ ମୋହର ସଖି ! ହଜିଗଲେ,

ତୁମରି କରର ଆଘାତେ ଉଠିବ ଜୀବନ ପାଇ,

ଦେଖୁଚି ଜାଣୁଚି             ହେ ମୋ କଲ୍ୟାଣି

ମୋର ହୋଇ କେହି ଦ୍ୱିତୀୟ ନାଇଁ !

-------------

 

 

ପ୍ରିୟତମା

ତାରେ ମୁଁ କରିବି             ପ୍ରାଣ ପ୍ରଣୟିନୀ

ତାରେ ମୁଁ କରିବି ଜୀବନ ସାଥୀ,

ମୋରେ ଚାହିଁ ଦେଲେ      କୋଟିଏ ଗର୍ବେ

ଫୁଲି ଉଠେ ଯାର କନକ ଛାତି ।

 

ତାରେ ମୁଁ ଡ଼ାକିବି       ପ୍ରିୟତମା ମୋର

ଅନ୍ତର ସବୁ ସେନେହ ଦେଇ,

ମୋହ ବିନୁ ଯାର            ଅନ୍ତର ତଳ

ସ୍ପର୍ଶ କରିନି ତରୁଣ କେହି !

 

ତା’ରେ ମୁଁ କହିବି             ଅନ୍ତର କଥା

ହୃଦୟ ବେଦନା ବୁଝିବ ସିଏ,

ମତେ କେ ନିନ୍ଦା            ଦେଲେ ଯା’ ବକ୍ଷ

ଆତୁରେ ପଚାରେ ‘‘ଏଭଳି କିଏ ?’’

 

ମୋ ଆଖି ଅଶ୍ରୁ            ପୋଛି ଦେବ ଏକା

ସେ ବର ବଧୂର କନକ କର,

ମୋର ବେଦନାର             ବେଳେବେଳେ ଯେହୁ

ଶୁଣିଚି, ଛୁଇଁନି ଅନ୍ନଜଳ !

 

ତାରେ ମୁଁ କରିବି             ପ୍ରାଣ ପ୍ରିୟତମା

ଅନ୍ତର ମୋର ତାହାରେ ଲୋଡ଼େ,

ମୃଦୁ ମୃଦୁ ହାସ            ଓଠରେ ଯାହାର-

ଫୁଟେ, ମୋରେ ଚାହିଁ ନୟନ ଡ଼ୋଳେ !

 

ତାରେ ମୁଁ କରିବି             ପ୍ରାଣ ପ୍ରିୟତମା

ଭିଡ଼ିବ ବାହୁ ତା ସ୍ୱର୍ଣ୍ଣଗଳେ,

ଯହିଁ ଥିଲେ, ଗଲେ             ମୋର ଗତିବିଧି

ଯା ନୀଳ ନୟନ ଲକ୍ଷ୍ୟ କରେ ।      

 

ତାରି ଅନ୍ତରେ             ଗୋଳି ହୋଇଯିବି

ପିଇ ତା’ ଅଧରକାଦମ୍ବରୀ

ଯେ ନବ ଛଇଳା            ଦାମିନୀ ପରାଏ

ଝଟକି ଉଠାଇ ମତେ ସ୍ମରି;

 

ତାହାରି ପରଣେ             ପୁଷ୍ପ ଫୁଟିବ

ମୋହରି ଜୀବନ ଯାତ୍ରା ପଥେ,

ପୃଥିବୀ ଉପରେ             ତାହା ତହୁଁ ବଳି

ଦେଖି ପାରି ନାହିଁ କିଏ ସେ ମତେ !

 

ତାହାରେ କରିବି             ପ୍ରାଣ ପ୍ରିୟତମା

ପଡ଼ୁ ବନ୍ଧନ ଅସୀମତର,

ଯାହା ନୟନେ ମୁଁ             ପୃଥିବୀ ବକ୍ଷେ

ସବୁ ସମ୍ପଦୁ ଅଟଇ ବଡ଼ !

 

ମରମର ଅତି             ନିଭୃତି ଥାନେ

ମୋରେ ଯେ ରଖିଚି ସେନେହ ବାଢି,

ପୃଥିବୀର କେଉଁ            କୁଞ୍ଜ ମୋ ଲାଗି

ଏତେ ସୁନ୍ଦର ତାହାରେ ଛାଡ଼ି !

 

ତାହାରେ କରିବି             ପ୍ରାଣ ପ୍ରିୟତମା

ଯାଚି ଯାଚି ଯିଏ ସେନେହ ଦେଲା,

ବୁକୁତଳେ ଯା’ର            ରସର ପୟୋଧି

ଉର୍ମି ନଚାଇ କରଇ ଖେଳା !

 

ସାଗର ପରି ତା’            ଉଛୁଳା ବୁକୁରେ

ଜ୍ୟୋସ୍ନା ଆକାଶ ପରି ମୁଁ ଢଳି,

ଯୁଗ ଯୁଗ ତାରେ             ପାଉଥିବି ଭଲ

ସବୁ ସମ୍ପଦ ତାହାଠି ଭରି !

----------

 

ପ୍ରଥମ ପରିଚୟେ

ନିଜନେ ସେଇଦିନ ମଳୟ କରୁଥିଲା ଅଥୟ ମନ,

ସୁଦୂର ବନଭଇଁ ଭିତରୁ ଶୁଭୁଥିଲା କୋଇଲି ସ୍ୱନ !

 

କଅଁଳ ହାତ ଦୁଇ ସରାଗେ ଦେଲି ଛୁଇଁ କହିଲି ସତେ,

ପଦିଏ କଥା ତମେ ନିଜର କରିନାଇଁ କହିବ ମତେ ?

 

ମୋରେ ଗୋ ପ୍ରିୟ କରି ନେବ କି ନାଇଁ ବରି କହୁନ କିଆଁ

ମୋ ହୃଦ ତନ୍ତ୍ରୀରେ ତୁମେ ଗୋ ବିକଶୁଚ ଶୋଡ଼ଶୀ ପ୍ରିୟା !

ବିଜୁଳି ପରି ତାର କପାଳ ଝଟକିଲା; ମୋ ଦେହ ଛୁଇଁ

କହିଲା ତୁମ ବିନୁ ବଡ଼ କେ ମୋ ଆଖିରେ ଦିଶୁତ ନାଇଁ !

 

ସେ ଦିନ ସେଇ ପଦ ମୋ ପ୍ରାଣ ସମ୍ପଦ ପଡ଼ଇ ମନେ

ସେ ମୋରେ ଯାହା ଦେଲା ନାହିଁ ତା’ ପ୍ରତିଦାନ ମୁଁ ଖାଲିମଣେ !

 

ମୋ ବିନୁ ତାର କେହି ଧରଣୀ ତଳେ ନାଇଁ ଏଭଳି ବଡ଼,

କହିଚି ତା’ର ସେଇ ବିରାଟ ଅନ୍ତର ମଧୁର-ତର !

 

କହୁଚି ଓଠ ତାର, କହିଚି ଆଖି ଠାର କହିଚି ମତେ,

ମୋ ବିନୁ ବଡ଼ କେହି ଦିଶେନି ତା’ରେ ଏଇ ଧରଣୀ ପଥେ ।

 

ମୁଁ ତାକୁ ଭଲ ପାଏ ମୁଁ ତାକୁ ପାଏ ନିଜର କରି,

ମୁଁ ତାକୁ ଦିଏ ମୋର ହୃଦୟ ସବୁଟିକ ପୀୟୁଷ ଭରି !

 

ମୁଁ ତାକୁ ଜାଣେ ଖାଲି ମୁଁ ତାକୁ ଜାଣେ ଖାଲି ମୋ ଗଉରବ,

ମୁଁ ତାକୁ ଦେଖେ ଖାଲି କିଭଳି ସୁନ୍ଦର କି ଅଭିନବ !

 

ମୁଁ ଖାଲି ଶୁଣେ ତାର ଓଠର ହାସ ଆଉ ବୁକୁର ବାଣୀ

ମୁଁ ତାକୁ ଡ଼ାକେ ଖାଲି ଜୀବନ ରାଣୀ ମୋର ହୃଦୟ ରାଣୀ;

 

ମୁଁ ଖାଲି ଲୋଡ଼େ ତାରେ ମୁଁ ଖାଲି ଲୋଡ଼େ ତାରେ ଧରାରେ ନିତି

ମୁଁ ଖାଲି ଦିଏ ତାରେ ମୋ ହୃଦ ସୀମାହୀନ ସେନେହ ପ୍ରୀତି !

---------------------------

 

ପାରିନି

ମୋ ଲାଗି ସନ୍ଦେଶ ଦେଇଚ ତମେ

ମତେ ଯେ ରଖିଅଛ ମନେ,

ସୁଦୂର ବିଲ ବଣ ପାହାଡ଼ ପାରେ

ମୋହର ହୋଇଅଛ ଜଣେ !

ତୁମରେ ଦେଇନି ମୁଁ ଖବର ମୋର

ତୁମରେ ଯାଇଚି ମୁଁ ଭୁଲି;

ମୋହଠୁ ତୁମ ହିଆ ବିରାଟ କେଡ଼େ

ପାରିନ ତୁମେ ମୋରେ ଛାଡ଼ି !

 

ତୁମରେ ଛାଡ଼ିଛି ମୁଁ ନିଠୁର ହୋଇ

ନିଠୁର ତୁମେ ହୋଇନାହିଁ,

ତୁମରେ ଖୋଜିନି ମୁଁ ଖୋଜିଚି ମୋରେ

ନିଇତି ପାଗଳିନୀ ପ୍ରାୟ !

 

ଜୀବନେ ତୁମେ ମୋରେ ସେନେହ ଦେଇ,

ଆହୁରି ଦେବାପାଇଁ ଲୋଡ଼,

କଠିନ ପାଷାଣ ମୁଁ ତୁମରି ଲାଗି

ସେନେହ କାହିଁ ଅବା ମୋର

ମୋହରି ଲାଗି ତୁମେ ରହିଛ ଫୁଟି

ଗନ୍ଧ ଠୁଳ କରି ବୁକେ ,

ମୋହରେ ସୁଖୀ କରି ଧରଣୀ ତ

ରହିବା ବୋଲି ମହା ସୁଖେ

ତୁମରି ସୁଖ ଶିରୀ ସୋହାଗ ଲାଗି

ଚିନ୍ତା କରିନି ମୁଁ ବାରେ,

କେଡ଼େ ମୁଁ ପ୍ରାଣହୀନ କଠିନ ଜୀବ

କି ଲାଗି ବଞ୍ଚିଚି ହାରେ !

 

ତୁମେ ତ ଚାହିଁଅଛ ଆକୁଳ ମନେ

ମୋହରି ସନ୍ନିଧିଟିକ,

ତୁମେ ତ ବୁକୁ ପାତି ସୋହଗଭରେ

ମାଗୁଚ ମତେ କେତେ ଭିକ;

ବଧିର ପରି ମୁହିଁ ଚାଲିଚି କେଣେ

ପାରିନି ଶୁଣି ତୁମ ବାଣୀ,

 

ତୁମେ ତ ରାଜା ମୋରେ ପାରିଚ କରି

କରିନି ତୁମରେ ମୁଁ ରାଣୀ !

-----------------------

 

ପ୍ରେମ ଓ ପ୍ରାଣ

ତୁମରି ନୟନେ ଯେବେ ଚାହିଁ ରହେ ବାର ବାର,

ସବୁ ଦୁଃଖ ଅବସାଦ ଭୁଲିଯାଏ ପ୍ରାଣ ମୋର ।

 

ତୁମରି ଅଧରୁ ଯେବେ ଶୁଣଇ ଅମୃତ ଭାଷା,

ପଲ୍ଲବି ଉଠଇ ମୋର ଜୀବନ ଅନନ୍ତ ଆଶା ।

 

ତୁମରି ସେନେହ ଯେବେ ଅନୁଭବେ ଥରେ ଥରେ

ନିଖିଳ ଧରିତ୍ରି ଯେହ୍ନେ ସରଗ ଲାଗଇ ମୋରେ ।

 

ତୁମ ସ୍ୱର୍ଣ୍ଣ ବାହୁଲତା ପାଶେ ଯେବେ ବନ୍ଧା ଥାଏ,

ମନ ବିନୋଦନେ କିବା ମୋହନ କବିତା ଗାଏ !

 

ମୋରେ ଚାହିଁ ତୁମେ ଯେବେ ବେଳେ ବେଳେ ହସି ଦିଅ,

ନିଖିଳ ଦିଗନ୍ତ ଭରି ସକଳ ଲାଗଇ ପ୍ରିୟ !

 

ଯେବେ ଗୋ ! ନିଠରୁ କରି ଚରଣେ ଆଡ଼େଇ ଦବ,

ଲୁଚିଯିବ ନିମିଷକେ ମୋ ପ୍ରଣୟୀ ଗଉରବ !

------------------------------------

 

ବନ୍ଧନ କର ମତେ

ମୁଁ ଗୋ ! ଚାହେଁ ଖାଲି ବନ୍ଧନ ତୁମ ତୁଲେ,

ଥାଏ ପଛେ କାହିଁ ସୀମାହୀନ ବହୁ ଦୂରେ;

ବନ୍ଧନ ସେ ଯେ ନିବିଡ଼ୁ ନିବିଡ଼ ଅତି,

ନ ଥିବ ତହିଁରେ ଦୁନିଆର ଲାଭ କ୍ଷତି;

ଆପଣାରୁ ବଳି ଆପଣାର କରି

ରଖିଥିବ ମୋର ମନ ମନ୍ଦିର ପୁରେ,

ମୁଁ ଗୋ ଚାହେଁ ଖାଲି ବନ୍ଧନ ତୁମ ତୁଲେ !

 

 

ଜ୍ୟୋସ୍ନା ରାତିରେ ବୁଲୁଥାଏ ଯେବେ ତଟିନୀ ସିକତା ମାଡ଼ି,

ଧୂସର ପାହାଡ଼େ ଚୁଳୁ ଶୁଭୁଥାଏ,

ଚକ୍ରବାଳର କରୁଣ ବିରହ ବାଣୀ

ମରମେ ମରମେ ବନ୍ଧା ଦୁଇଟି ପ୍ରାଣୀ;

ଜଣେ ଜଣକରେ ଲୋଡ଼ଇ ଆକୁଳେ,

ଜଣେ ଜଣେ ପାଇଁ କେତେ ନାଇଁ ଝୁରେ !

ସେଇପରି ମୁହିଁ ଝୁରି ହେଉଥିବି,

ନୀରବେ ତୁମରି ଲାଗି,

ଯହିଁ ଚାହୁଁଥିବି ତୁମରି ସ୍ୱରୂପ-

ଉଠିବ ନୟନେ ଜାଗି;

ମୁଁ ଗୋ ଚାହେଁ ଖାଲି ବନ୍ଧନ ତୁମ ତୁଲେ;

ଥାଏ ପଛେ କାହିଁ ସୀମାହୀନ ବହୁ ଦୂରେ ।

 

ବନ୍ଧନ କର ! ବନ୍ଧନ କର ! ବନ୍ଧନ କର ମୋରେ,

ତୁମ ଅନ୍ତର ଅନ୍ତର ତମ ଡ଼ୋରେ

ଆକାଶ ଧରଣୀ ପ୍ରତି ରେରୁ ସହ,

ସେଇ ବନ୍ଧନ ଜାଗୁ ଅହରହ,

ବନ୍ଧନ କର ! ବନ୍ଧନ କର ! ଡ଼ାକେ ମୋ କୁଟୀର ପୁରେ,

ମୁଁ ଗୋ ଚାହେଁ ଖାଲି ବନ୍ଧନ ତୁମ ତୁଲେ;

ଥାଏ ପଛେ କେଉଁ ସୀମାହୀନ ବହୁଦୂରେ !

---------------------------

 

ଟିକିଏ ପରଶ

ଟିକିଏ ପରଶ ମୋ ପାରିଚ ଯେବେ ଜାଣି

ସେ ଟିକ ସବୁ ମୋର ଧରାରେ ଆଗୋ ରାଣି !

ପରାଣ ତଳେ କେଉଁ ଅତଳ ପାରାବାରେ,

ଊର୍ମିଟିଏ ଯେବେ ମୋ ଲାଗି ଉଠିପାରେ,

ସେଥିରେ ପାଇଚି ମୁଁ ସକଳ ସାଧନାର-

ସରଗ ଦୁର୍ଲଭ-ବିପୁଳ ସମ୍ଭାର !

ଜୀବନ ପଥ ପରେ କେ କେତେ ଯିବେ ଆସି

ପାରିବେ ନାଇଁ କେହି ଏ ହିଆ ଉଲ୍ଲାସି,

ନୟନ ତଳୁ କେତେ ଅଶ୍ରୁ ଯିବ ବୋହି,

ଗୋଟିଏ ବିନ୍ଦୁ କେ ପାରିବେ ନାଇଁ ଧୋଇ ;

ତୁମରି ସମ୍ପଦ ନଦେଇ ଦେଲ ଯାହା,

ନିଃସ୍ୱ ପଥେ ମୋର ହେବ ସେ ଚିର ସାହା !

 

ଟିକିଏ ପରଶ ମୋ ପାରିଚ ଯେବେ ଜାଣି

ସେ ଟିକ ସବୁ ମୋର ଧରାରେ ଆଗୋ ରାଣୀ !

------------------------------------------

 

ତୁମ ତୁଲେ

ତୁମ ତୁଲେ ଦେଖନ୍ତି ମୁଁ ନବ ସୂର୍ଯ୍ୟୋଦୟ

ତୁମ ତୁଲେ ବୁଲନ୍ତି ମୁଁ ବିଲ ବନ ପାହାଡ଼ କନ୍ଦରା,

ତୁମ ତୁଲେ ହସି ଖେଳି ଯାଆନ୍ତି ସଞ୍ଚରି

ଜ୍ୟୋସ୍ନା ପାରାବାରେ,

ତୁମ ତୁଲେ ଶୁଣନ୍ତି ମୁଁ ବିହଗର ମଧୁ କଣ୍ଠ ତାନ,

ତୁମ ତୁଲେ ଏଇ ଶ୍ୟାମ ବନ କୁଞ୍ଜ ତଳେ

କରନ୍ତି ମୁଁ ମଧୁ ଆଳାପନ !

 

ତୁମ ତୁଲେ ବସି କେଉଁ ସୁନେଲି ସଂଧ୍ୟାରେ

ଶରତର ଶ୍ୟାମ ଘାସ-ଶେଯେ,

ଶୁଣନ୍ତି ମୁଁ ନଈ କଳତାନ,

ତୁମ ତୁଲେ ଆକାଶର ଏଇ ମହାନୀଳିମାରେ

ଯାଆନ୍ତି ମୁଁ ମିଶି

ତୁମ ତୁଲେ ଏଇ ସ୍ୱର୍ଣ୍ଣ ମେଘମାଳେ

ଉଠନ୍ତି ଉଦ୍ଭାସି ।

 

ତୁମ ତୁଲେ ସାଗର ବେଳାରେ ବସି

ଦେଖନ୍ତି ମୁଁ ସୀମାହୀନ ନୀଳଉର୍ମି ଲୀଳା

ତୁମ ତୁଲେ ଟିପି ଟିପି ଗୋଧନ ଟିପାର

ଯେ ଅବୋଧ୍ୟ ମଧୁବୋଳା ବାଣୀ

ଶୁଣନ୍ତି ମୁଁ କାନ ପାତି,

ଆହୁରି ମଧୁର କେତେ ଲାଗୁଥାନ୍ତା ରାଣି !

 

ତୁମ ତୁଲେ ବସି କେଉଁ ଗଛ ଛାଇ ତଳେ

ବିତାଇ ଦିଅନ୍ତି ସଖି ! ଦୀପ୍ତ ଦ୍ୱିପ୍ରହର

ସୁଦୂର ସୁରଭୀ ଧରି ମଦିର ମଳୟ

ବହି ଆସୁଥାନ୍ତା ହୋଇ ଚଞ୍ଚଳ ଅଥୟ !

Unknown

ସୀମାହୀନ ରୂପରସ ଗାନର ମହା ସ୍ୱପ୍ନ ପୁରୀ

ଏ ବିରାଟ ବସୁନ୍ଧରା ପରେ

ସମସ୍ତ ମୂହୂର୍ତ୍ତ ମୋର ତୁମ ତୁଲେ-

ନେବାକୁ ବିତାଇ ମୁହିଁ ଇଚ୍ଛା କରେ ।

 

ହୃଦଭରା ସାଥି ବିନେ, ବନ୍ଧୁ ବିନେ

ଜୀବନର ମିଠା କାହିଁ ହୁଏ ଅନୁଭବି ?

କେଡ଼େ ପ୍ରାଣହୀନ ଲାଗେ-

ବ୍ୟୋମ ବସୁନ୍ଧରା ଭରି

ଯେତେ ଯେତେ

ଆନନ୍ଦର ଅମୃତର ଛବି ! !

----------------------

ଆପଣାର କର ମତେ

ବୁକୁତଳ କଥା ରହିଲା ଏ ବୁକୁତଳେ,

ତମେ ଚାଲିଗଲ ପଦ ଚାଳି ତରତରେ ।

ଚାହିଁ ରହିଲି ମୁଁ ଚାତକ ପକ୍ଷୀଟି ପରି;

ଥରେ ହେଲେ ମୋରେ ଚାହିଁବ ଗୋ ! ଅପସରି;

 

ଏ ସରସୀକୂଳେ ତୁମ ପଦ ସଞ୍ଚାର

ମରମେ ଫିଟାଏ ପୁଲକର ପାରାବାର,

ସନ୍ଧ୍ୟା ଯେ ହେଲା ଦ୍ୱିତୀୟା ଚନ୍ଦ୍ର ବୁଡ଼େ,

ଆଉ ଦେଖିଲିନି ଆଜି ଏ ସରସୀ କୂଳେ;

 

କାଲି ତ ଆସିବ କାଲି ମୁଁ ରହିବି ଚାହିଁ,

ତୁମରି ମୁହଁର ପଦିଏ ବଚନ ପାଇଁ

ମୋରେ ଯେବେ ହସି ସରମେ କହିବ ବାଣୀ

କୋଟି ଉଲ୍ଲାସେ ଡ଼ାକିବି ହୃଦୟରାଣି

 

ମୋ ମନ ଭିତରେ ତୁମେ ଗୋ ଜଳୁଚ ବାଳା

ପଶ୍ଚିମ ନଭେ କି ଅବା ସାନ୍ଧ୍ୟ ତାରା !

ତୁମରି ନୟନେ ନୟନ ମୁଁ ବାରେ ଭରି

କହନ୍ତି ସଖି ! ମୁଁ ନୁହେଁ କି ତୁମ୍ଭରି ?

 

ତୁମରି ପାଇଁ ମୁଁ ଜୀବନ ସାରାଟି ଚାହିଁ

ମୋର ସାଧନାରେ ସିଦ୍ଧି ଯେ ଆସିନାଇଁ,

ତୁମେ ଯେବେ ମୋରେ ନିଠୁରେ କରିବ ଦୁର

ଆସୁଥିବି ପ୍ରତି ନିତି ଏ ସରସୀକୂଳ ।

 

ସେ କେଉଁ ସବୁଜ କୁଞ୍ଜ ଉଢାଳେ ରହି

ଚାହିବି ତୁମରି ନୀଳ ଭ୍ରୁଲତା ଛଇ;

ଦେଖିବି ତୁମରି ବଧୁଲି ଅଧରେ ହାସ

ଦେଖିବି ତୁମରି କେଶପାଶ ବିନ୍ୟାସ ।

 

ଶୁଣିବି ହେବାର ସଙ୍ଗନୀ ତୁଲେ କଥା

ଦେଖିବି ହଲାଇ ଚାଲିବାର ଭୁଜଲତା;

ଅଳତା ଚରଣ ନୀଳ ଦୁବଘାସେ ପଡ଼ି

ଦେଖିବି କିଭଲି ଫୁଟାଏ କୁସୁମ କଳି !

 

ଆମରଣ ରହି କୁମାର ଗୋ କୁମାରିକା !

ତୁମର ରୂପର କରିବଇଁ ମୁଁ ଜୀବିକା,

ମୋ ଦେହ ତୁମରି ଦେହରେ ପରଶ ମାଗେ

ମୋ ଆଖି ତୁମରି ରୂପ ଚାହିଁ ଅନୁରାଗେ ।

 

ଅନ୍ତର ଚାହେଁ ଅନ୍ତରେ ତବ ଢଳି

ଫୁଟିବାକୁ ସଜ ବିକଚ କମଳ ଭଳି;

ଧରଣୀ ଆକାଶ ଲକ୍ଷ ସୁଷମା ମେଳେ

ରହିବାକୁ ଲୋଡ଼େ ତୁ ମରି ପ୍ରଣୟ ଖେଳେ ।

 

ଏ ମାଟି ଉପରେ ତୁମରି ଜୀବନ ସହ

ନିତି ମୋ ହୁଅନ୍ତା ନୂଆ ନୂଆ ପରିଚୟ;

କେତେ ଫୁଲ ଫୁଟି କେତେ ଯେ ଝଡ଼ଇ ନାଇଁ

ଏ ଭଳି ଫୁଲ ମୁଁ ନୟନେ ଦେଖିଚି କାହିଁ ?

 

ପଲ୍ଲୀ-ବାଳିକା ଅୟି ସୁକୁମାରି ସତି !

ବୁଝି କି ପାରିବ କବିର ବେଦନା ଅତି ?

କୁଟୀର ଭିତରେ କବି ଯେ ତୁମରି ପାଇଁ

କେତେ ଭାଳିହୁଏ ଦିନ ନାଇଁ ରାତି ନାଇଁ ।

 

କବି ମୁଁ ଲୋଡ଼େ ନା ଧନ ମାନ ବଇଭବ,

କବି ମୁଁ ଚାହେଁ ନା କ୍ଷମତାର ଗଉରବ ।

ଚାହେଁ ମୁହିଁ ଖାଲି ସପନ ଦୋଳାରୋ ଦୋଳି

ପୀରତି କୁସୁମ ନିତି ଯାଉଥିବି ତୋଳି ।

 

ଗୋପନେ ଗୋପନେ ତୁମରେ ମୁଁ ଭଲପାଏ,

ପଥେ ତୁମ ପାଦ ପଡ଼ିଥାଏ ଯେଉଁ ଯାଏ,

ସେ ପଥ ମାଟି ମୁଁ କପାଳେ ତିଳକ କରି,

କି ସରଗଶିରୀ ଅନ୍ତରେ ନିଏ ଭରି !

 

ଯିଏ ଯାହା କହୁ ଯିଏ ବା ଯେ ଭଳି ଚାହୁଁ ।

ମୁଁ ତ ଲୋଡ଼େ ନାଇଁ ସାଧିବି କା ତୁଲେ ଦାଉ ।

ମୁଁ ଗୋ ବସି ଖାଲି ସପନ ଜଡ଼ିତ ରଥେ

କହୁଥିବି ସଖି ! ଆପଣାର କର ମତେ !

--------------------------------------

 

ଛାଡ଼ିଦେଲ

ସାଥୀ କଲି, ବନ୍ଧୁ କଲି , କଲି କେତେ ଆପଣାର,

ଢାଳିଦେଲି ବୁକୁ କାଟି ତୁମ ପାଇଁ ରକ୍ତଧାର;

ଦିନ ଦିନ ଧରି କଲି ତୁମ ମଧୁ କଳପନା,

ତୁମେ ମୋର କେଡ଼େ ବଡ଼ ମୋ ବିନୁ କାହାକୁ ଜଣା ?

ଏତେ ମୁଁ ନିଜର କରି ସଁପି ଦେଲି ମୋର ପ୍ରାଣ

ମତେ କିନ୍ତୁ ଛାଡ଼ି ଦେଲ କରି ସାତ ହୀନିମାନ !

 

ସାୟାହ୍ନେ ମୁଁ ବୁଲୁଥିଲେ ବିଲ ବନ ସଇକତେ

ତୁମକୁ ହିଁ ଭାଳୁଥିଲି କେଜାଣି କାହିଁକି ସତେ !

କଳ୍ପନାରେ ତୁମ ତୁଲେ ହେଉଥିଲି କେତେ କଥା,

ହରି ନେଉଥିଲି ମୋର ସଞ୍ଚିତ ଯାବତ ବ୍ୟଥା ।

ବୁଝୁଥିଲି ତୁମେ ମୋର ଏକମାତ୍ର ବରଦାନ,

ମତେ କିନ୍ତୁ ଛାଡ଼ିଦେଲ କରି ସାତ ହୀନିମାନ !

 

ତୁମକୁ କେ ନିନ୍ଦା କଲେ ପାରୁତ ନ ଥିଲି ସହି,

କରୁଥିଲି ପ୍ରତିବାଦ ଅସୀମ ସାହସ ବହି ।

ତୁମକୁ କେ ଛୋଟକରି ଧଇଲେ ଧରଣୀ ଆଗେ,

ଦୁଃସହ ବେଦନା କିମ୍ପା ମୋର ବୁକୁତଳେ ଜାଗେ !

ମତେ ଭଲ ଲାଗୁଥିଲା ତୁ ମରି ସମସ୍ତ କାମ

ମତେ କିନ୍ତୁ ଛାଡ଼ିଦେଲ କରି ସାତ ହୀନିମାନ ।

 

 

ତୁମେ ଯେବେ ବୁଲୁଥିଲ ଏ ଶ୍ୟାମ ପ୍ରାନ୍ତର ପରେ,

ତୁମେ ଯେବେ ଗାଉଥିଲ ଗୀତ ମଧୁ ଭରା ସ୍ୱରେ,

ତୁମେ ଯେବେ ହସୁଥିଲ କେବେ ମନ ବିନୋଦନେ,

ତୁମରେ ବିଲୋକି ମୁହିଁ ରହୁଥିଲି ବହୁକ୍ଷଣେ,

ମୋ ଛାତି ଭିତରେ ନିତ୍ୟ ଜାଗୁଥିଲା ତୁମ ନାମ,

ମତେ କିନ୍ତୁ ଛାଡ଼ି ଦେଲ କରି ସାତ ହୀନିମାନ !

 

ଅସୀମ ଜନତା ମେଳେ କେଉଁ ମେଳା ମଉଚ୍ଛବେ,

ଯେବେ କାହିଁ ବୁଲୁଥିଲି ସାଥି ଜନ ତୁଲେ କେବେ,

କାହିଁରେ ନିମେଷ ପାଇଁ ଲାଗୁତ ନ ଥିଲା ମନ,

ମୋ ଆନନ୍ଦ ତୁମକୁ ହିଁ କରିବାରେ ଅନ୍ୱେଷଣ !

କହୁଥିଲି ତୁମ ବିନେ କାହିଁରେ ନାହିଁଛି ପ୍ରାଣ,

ମତେ କିନ୍ତୁ ଛାଡ଼ିଦେଇ କରି ସାତ ହୀନିମାନ !

 

ଜ୍ୟୋତ୍ସାର ଆକାଶ ତଳେ ବାସନ୍ତୀ ସନ୍ଧ୍ୟାରେ ସଖି !

ବୁଲୁଥିଲେ ତୁମରେ ମୁଁ କିମ୍ପା ଥାଏ ମନେ ରଖି,

ତୁମ ତୁଲେ ବୁଲିବାକୁ ବନ ବିଲ ଏ ପ୍ରାନ୍ତର

କେତେ ଥର ଛନ ଛନ ହୋଇନାଇଁ ଏ ଅନ୍ତର !

ସେ ସବୁ ସ୍ମୃତିରେ ଆଜି ନାଚିଯାଏ ତୁମେ ଜାଣ ?

ମତେ କିନ୍ତୁ ଛାଡ଼ିଦେଲ କରି ସାତ ହୀନିମାନ !

 

ମୋ ଦରିଦ୍ର ନେତ୍ରେ ଯେବେ ଲୁହ ହୁଏ ଛଳ ଛଳ,

ବିକ୍ଷତ ହୋଇ ମୁଁ ଯେବେ ପଡ଼ିଥାଏ ଧରାତଳ,

କେହି ଯେବେ ନ ଆସନ୍ତି ନିମିଷେ ମୋହରି ପାଇଁ

ସବୁ ଦୁଃଖ ଚାଲିଯାଏ ତୁମରେ ମୁଁ ଦେଲେ ଚାହିଁ

ତୁମ ଲାଗି ମୋର ଥିଲା କେତେ ଯେ ମନର ଟାଣ !

ମତେ କିନ୍ତୁ ଛାଡ଼ିଦେଲ କରି ସାତ ହୀନିମାନ !

 

ତୁମେ ମୋର ବୋଲି କେତେ ଗର୍ବ ଆଉ ଗଉରବ

ଦିନ ଦିନ ଧରି ମୁହିଁ କରୁଥିଲି ଅନୁଭବ !

ଶୋଚନା ନ ଥିଲା ମୋର ଖାତିରି ନ ଥିଲା ତିଳେ,

ଯେତେ ବାଧା ପାଉଥିଲି ନିଖିଳ ଏ ଧରତ୍ରୀରେ,

କେସନେ ଏ ସବୁ କିଛି କଲ ନାଇଁ ଅନୁମାନ ?

ମତେ କିନ୍ତୁ ଛାଡ଼ିଦେଲ କରି ସାତ ହୀନିମାନ !

 

ମନେପଡ଼େ ତୁମେ ଦିନେ ବିଷଣ୍‌ଣ ବଦନେ ସହି !

ତୁମରି କୁଟୀରେ ଦ୍ୱାରେ ଉଭା ହୋଇଥିଲ ରହି,

ପଚାରିଲି କିଆଁ ଦୁଃଖ ? କିଛି କହିଲନି କାହିଁ,

ସେଇ ଦିନଯାକ ମୁହିଁ ସତେ ଅନ୍ନ ଛୁଇଁ ନାଇଁ,

ଏତେ ମତେ ମମତାର ସବୁ ହେଲା ଅବସାନ

ମତେ କିନ୍ତୁ ଛାଡ଼ିଦେଲ କରି ସାତ ହୀନିମାନ !

 

ମୋର ତ ହେଉଚି ମନେ ଦିନେ ହେଲେ ଦଣ୍ଡେ ହେଲେ

ପରାଣେ ଆଘାତ ତବ ଦେଇ ନାଇଁ କେତେବେଳେ;

ସବୁବେଳେ ତୁମେ ମୋର ଏକାନ୍ତ ହିଁ ଆପଣାର

ସବୁବେଳେ ତୁମ ବିନେ କେ ଅଛି, ଏ ଅଭାଗାର ?

ମୁଁ କିମ୍ପା ତୁମରି ନେତ୍ରେ ହେଲି ମିଥ୍ୟା ହେଲି ଭାନ ?

ମତେ କିମ୍ପା ଛାଡ଼ିଦେଲ କରି ସାତ ହୀନିମାନ ।

 

ତୁମ ପଥେ ଆଉ ମୁହିଁ ପଥିକ କି ହେବି ନାଇଁ ?

ତୁମରି ଅନ୍ତର ସୁଧା ଆଉ ଖୋଜିବିନି କାହିଁ ?

ଆଉକି ଚାହିଁ ବି ନାଇଁ ତୁମରେ ମୁଁ ବାରବାର

ତୁମ ମୋ ବନ୍ଧନ ସତେ ହୋଇଯିବ ଛାରଖାର !

ଚତୁର୍ଦ୍ଦିଗେ ଚାହିଁ ଖାଲି କହୁଥିବ ମୋର ପ୍ରାଣ

ମତେ କିମ୍ପା ଛାଡ଼ିଦେଲ କରି ସାତ ହୀନିମାନ !

----------------------------------

 

ଏପାଖେ ଓ ସେପାଖେ

ମୁଁ ତୁମକୁ ଚାହିଁ ଆଜି ଚାହିଁ ତ ପାରିଲି ନାଇଁ

କଥାପଦେ କହିବାକୁ ସାହସ ବା ହେଲା କାହିଁ ?

ମୁଁ ତୁମରି ପାଖେ ପାଖେ ଦୂରେ ଥିଲା ପରି ଲାଗେ,

ତୁମ ପାଇଁ ଓଠ ତଳୁ ହସଟିଏ ନାଇଁ ଜାଗେ !

 

ତୁମେ ମଧ୍ୟ ମଥା ପୋତି ମଉନେ ରହିଚ ଏକା,

ଭରସି ମୋ ପାଖେ ପଶି ହୋଇ ପାରୁନାହିଁ ଦେଖା !

ମନେ ମନେ କେତେ ରାଗ ଉଭାଇ ଯାଇଚି କାହିଁ

ମିଶିବାକୁ, ଲୋଡ଼ି ହେଲେ ମିଶି ହୋଇ ପାରୁନାହିଁ !

 

ମୁଁ ତୁମରି ପାଖେ ପାଖେ ଆଡ଼କରି ଚାହିଁ ରହେ

ମୋ ଆଖିରେ ଲୁହଟିଏ ଢଳି ଢଳି ଯେବେ ବହେ

ଅଜଣାରେ ପୋଛିଦିଏ, ଫେଇ ମୋ ବସନ କାନି,

ତୁମେ ମୋରେ ବୁଝିଲନି ଜୀଅନ୍ତାରେ ଦେଲ ହାଣି !

 

ମୁଁ ତୁମରେ ଯେତେ ଚାହେଁ ସେତେ ମୁହଁ ପୋତି ଦିଏ ,

ମୁଁ ଯେହ୍ନେ ତୁମର ନୁହେ ଆଉ ବା ଇତର କିଏ !

ତୁମେ ବୋଧେ ମନେ ମନେ ଲୋଡ଼ି ହେଉଥିବ ମତେ

ଅମୃତ ପ୍ରଲେପଟିଏ ଦେବାକୁ ମୋହର କ୍ଷତେ !

 

କିଛି ତ ପାରୁ ନ କରି, ବସିଚ ତୁନିଟି ହୋଇ,

ନେତ୍ର ପ୍ରାନ୍ତୁ ଥିରି ଥିରି ଲହୁଟିଏ ଆସେ ବୋହି !

ସେ ଲୁହ ଟିକକ ପୋଛି କହିବାକୁ ପଦେ କଥା

ଭରସି ପାରୁନି ମୁହିଁ ଲଇଁ ଆସେ ମୋର ମଥା !

 

ବିରାଟ ଏ ଧରଣୀରେ କିଏ କି ଜାଣିଲା ହେଲେ ?

ତୁମ ମୋ ଭିତରେ ଯେଉଁ ବାଧାଟିକ ଆସି ଖେଳେ !

ତୁମେ ଜାଣ, ମୁଁ ଜାଣେ କି ଅଛି ଭାଳେଣି ଆଉ ?

ତୁମ ଦେହ ମନେ ମୋର ଦେହ ମନ ମିଶିଯାଉ !

 

ଅବା ଆମେ ରହିଥିବା ଏଇପରି କାଳ କାଳ

ବେନି ପାଇଁ ବେନି ନେତ୍ରୁ ବହୁଥିବ ଲୁହଧାର !

ମିଶିବାକୁ ଲୋଡ଼ି ହେଲେ ମିଶି ପାରୁଥିବା ନାଇଁ,

ବିତି ଯାଉଥିବ ଦିନ ପରସ୍ପରେ ଚାହିଁ ଚାହିଁ !

 

ଆକାଶ ଅବନୀ ଭରି ଯେତେ ଶିରୀ ବଇଭବ,

ପାରୁତ ନ ଥିବା କରି ତିଳେ ହେଲେ ଅନୁଭବ ।

କନକ ତପନ ଉଇଁ ସୁଦୂର ଶିଖରୀ ଭାଲେ,

ଯାଉଥିବ ସଞ୍ଜେ ବୁଡ଼ି କେଉଁ ଦୁର ପର ପାରେ ।

 

ବହି ଯାଉଥିବ ନଈ ତାର ପ୍ରତି କଳତାନେ

କି ମଧୁମୋହନ ଶିରୀ ଫୁଟୁଥିବ କେତେ ଥାନେ;

ଫେରୁଥିବେ ଗୋରୁଗୋଠ ବଣ ପାହାଡ଼ର ଦାଢ଼େ,

କାକ କୋକିଳର ଗୀତି ଖେଳୁଥିବ ଚାରିଆଡ଼େ ।

 

ରୂପେଲି ଜୋଛନା ଢାଳି ଉଇଁ ଆସୁଥିବ ଜହ୍ନ,

ମାଳତୀ ମରୁଆ ଫୁଟି ଦିଶୁଥିବ ଛନ ଛନ;

ତଟିନୀ ସିକତା ଶେଯେ କଅଁଳ ପବନ ବହି,

କା’ ପରାଣ ଅବସାଦ ହରି ନେଉଥିବ କାହିଁ ।

 

ଏ ମଧୁ ସଂପଦ ମେଳେ ତୁମେ ମୁହିଁ ଦୁଇଜଣ

କେସନେ ପାରିବା ରହି ଏକା ଏକା ପ୍ରତିକ୍ଷଣ !

ପ୍ରିୟ ପ୍ରିୟା ଆଉ ଥରେ ହେବା ନାଇଁ ଡକାଡକି ?

ସେ’ ଦିନର ରାଗରିସା ସବୁବେଳେ ଥିବା ରଖି ?

 

ମତେ ଚାହିଁ ହସିଦିଅ, ମୋ ଲୁହରେ ତୁମ ଲୁହ

ମିଶାଇ, ସୋହାଗଭରେ ମୋରେ ପଦେ କଥା କୁହ !

ମୋହନ ପରଶ ଦିଅ ଅଙ୍ଗେ ଅଙ୍ଗ ଦେଇ ଢାଳି

ଯେତେ ଯା’ କାଳିମା ସବୁ ଦୂରେ ଦୂରେ ଯାଉ ଚାଲି !

 

ଚାହିଁ ମତେ ଭଲ କରି, ପୁଣି ସେ ସେନହ ମାୟା

ଜାଗୁ ତମ ବୁକୁ ତଳେ, ଆଗ ପରି ଥିଲା ଯାହା !

ହସି ଖେଳି ଆସ ଚାଲି, ହସାଅ ଖେଳାଅ ମତେ,

କି ବାଧା ବନ୍ଧନ ଅଛି, ମୋ ଲାଗି ତୁମରି ପଥେ ?

 

ଜୀବନର ବୀଣା ତାନ ମୋ ପାଇଁ ଫିଟାଇ ଦିଅ !

ଅଙ୍ଗେ ଅଙ୍ଗେ ବିଦ୍ୟୁତର ମୋହନ କମ୍ପନ ଦିଅ !

ଡାକ ସାଥି, ଡ଼ାକ ସଖା, ଡାକ ମୋର ପ୍ରିୟତମ

ଏତେ ଦିନେ ତୁମ ମୋ’ର ହେଲା ମଧୁ ସମ୍ମିଳନ !

 

ଆସ ତମେ, ପାଖେ ବସି ପୋଛି ଦିଏଁ ଲୁହଧାରା,

କାଢ଼ି ନିଏଁ ବୁକୁତଳେ ଥିବ ଯେ ଟିକକ ଭାରା;

ପ୍ରାଣ ଖୋଲି କହେ କଥା ତୁମ ପାଖେ ଏତେ ଦିନେ

ଏତେ ଦିନ ରହିଥିଲେଁ ତୁମେ ମୁହିଁ ଭିନେ ଭିନେ ।

 

ତୁମେ ମୁହିଁ ଧରଣୀରେ ହୋଇ ହାତ ଧରାଧରି,

ବାହି ନେବା ଆମରି ଏ ଦରିଦ୍ର ଜୀବନ ତରୀ !

କୂଳେ କୂଳେ ପଥ ଘାଟେ, ସୁଖ ଦୁଃଖ ଗଉରବ

ଚାଲିଥିବା କରି କରି ନିତି ଦିନ ଅନୁଭବ !

 

ମୁହିଁ ଥିଲେ ତୁମ ପାଖେ, ତୁମେ ଥିଲେ ପାଖେ ମୋର,

ତୁମ ମୋ ଭିତରେ ଥିଲେ ସେନେହ ସୋହାଗ ଡ଼ୋର,

କିବା ଦୁଃଖ କି ଭାଳେଣି ଅଛି ଏ ଧରିତ୍ରୀ ଘରେ ?

ହସି ହସି ଚାଲିଥିବା ଚାହିଁ ଚାହିଁ ପରସ୍ପରେ !

 

ସୁନ୍ଦର ଆକାଶ ଏଇ ସୁନ୍ଦର ଧରଣୀ ତଳ,

ୟା ଭିତରେ ହସି କିମ୍ପା ନ ଚାଳିବା ନିରନ୍ତର ?

କଥା କହ, କଥା କହ ଜୀବନର କଥା କହ !

ପ୍ରାଣ ପୂରା କରି ମତେ ଆଉ ଥରେ ଚାହିଁ ରହ ?

 

କେତେ କଷ୍ଟ କେତେ ବାଧା ଆସିବ ଧରଣୀ ପରେ,

ସବୁ ସହିଯିବ କିନ୍ତୁ ସହି କି ପାରିବି ଥରେ ?

ତୁମେ ଯେବେ ନ ଚାହିଁବ ଚାଲିଯିବ ପର କରି

ଚିରଦିନ ମୋ ନୟନେ ଲୁହ ଉଠୁଥିବ ଥରି ।

 

ଭୁଲିଗଲ ସବୁ ବାଧା ଭୁଲିଗଲ ସବୁ ତମେ !

ନା, ଆଉ ରହିଚି କିଛି କହ ମତେ ଏଇକ୍ଷଣେ,

ହାତ ଧରି ମାଗିନେବି ସବୁ ଦୋଷ ଅପରାଧ

ନ ରହୁ ଜୀବନେ ଆଉ କିଛି ଦୁଃଖ ପରମାଦ,

 

ଗୋଲାପ କଳିବା ପରି ଫୁଟି ଉଠ ଆଉ ଥରେ,

ଖେଳାଇ ମୋହନ ଗନ୍ଧ ଢଳି ପଡ଼ ବୁକୁ ପରେ ।

ଜୀବନ୍ତ ସୁନ୍ଦର କରି ପୁଣି ମତେ ଦିଅ ଗଢି;

ପଥ ପ୍ରାନ୍ତେ ପଡ଼ିଚି ମୁଁ ମୁମୁର୍ଷୁ ପଥିକ ପରି !

-------------------------------------

 

ଏ’ ପଥେ

ଏ ପଥେ ଆସଇ ନିତି, ନିତି ମୁହିଁ ଏ ପଥେ ଆସଇ ଚାଲି,

ସନ୍ଧ୍ୟା ସକାଳେ ନିବିଡ଼ ନିଶୀଥେ କେତେ କେତେ କଥା ଭାଳି !

ଉପରେ ନାଚଇ ଉଦାର ଆକାଶ ତଳେ ବହିଯାଏ ନଈ

ବନ ବିଲ ପଦା କାନେ କାନେ କିବା ମଧୁର ବାରତା କହି

ସବୁଜ କେଦାର ତୀରେ

ସେଇ ପାହାଡ଼ଟି ସେପରି ରହିଚି ମେଘ ଚରିଯାଏ ଶିରେ !

 

ଏ ପଥେ ଆସଇ ନିତି, ନିତି ମୁହିଁ ଏ ପଥେ ଆସଇ ଚାଲି

ଦେଖଇ ଯିବାର ଏଇ ରାଜପଥ ସୀମାହୀନ ଲୋକ ଧାଡ଼ି

ଫୁଟଇ କୁସୁମ, ଛୁଟଇ ମଳୟ ଜୋଛନା କରଇ ଲୀଳା,

ମୁଗ୍‌ଧ ଚକିତ ସପନେ ରସାଣି ବିଲ-ବନ-ପଥ-ଶିଳା !

ଏ ରାଜପଥ ଧାରେ

ଦେଖଇ ତୁମରି କ୍ଷୁଦ୍ର କୁଟୀର ନୟନରେ ବହୁବାରେ ।

 

ଏ ପଥେ ଆସଇ ନିତି, ନିତି ମୁହିଁ ଏ ପଥେ ଆସଇ ଚାଲି,

ମରମେ ମରମେ ଅତୀବରେ କେତେ ସୁମଧୁର ସ୍ମୃତି ଭାଳି;

ତୁମେ ନାହିଁ ଆଜି ଅଛି ଏ କୁଟୀର ଅଛି ଏ ପାଦପ ଲତା,

ପାହାଡ଼ର କାନେ ନଈ କଳକଳେ କହିଯାଏ କେତେ କଥା

ଏ ସବୁରେ ମୋର ମନ

-ବୁଡ଼ି ରହି କିବା ସପନ ଦେଖଇ ସୁନ୍ଦର ଅନୁପମ !

 

ଏ ପଥେ ଆସଇ ନିତି, ନିତି ମୁହିଁ ଏ ପଥେ ଆସଇ ଚାଲି;

ଜାଣେନା କି ଅବା ଅଜଣା ବ୍ୟଥାରେ ବୁକୁତଳ ହୁଏ ଘାରି ।

ମନେ ପଡ଼ ତୁମେ, ମନେ ପଡ଼ ମୋର ଆଗୋ ସୁନ୍ଦରୀ ବାଳା,

ତୁମରି ବିହୁନେ ଛଳ ଛଳ ହୁଏ ନୟନେ ଅଶ୍ରୁଧାରା;

ଶୂନ୍ୟ କୁଟୀରେ ଚାହିଁ,

କେତେ ଚାହିଁ ରହେ, ଫେରିବାକୁ ମୋର ଚରଣ ଚଳଇ ନାଇଁ !

 

ଏ ପଥେ ଆସଇ ନିତି ନିତି ମୁହିଁ ଏ ପଥେ ଆସଇ ଚାଲି,

ପ୍ରତି ପଦପାଦେ ତୁମରି ସ୍ୱରୂପ ମନେ ମନେ ଯାଏ ଭାଳି ।

କେତେ ଡାକୁଥିଲ ଆପଣାର କରି ପ୍ରିୟତମ ପ୍ରିୟତମ !

ତୁମେ ମୋରେ ସତେ ସେନେହ ଦିଅ କି ସୁନ୍ଦର ଅନୁପମ !

କେତେ ମୋର ହାତ ଧରି

କହିଥିଲ ମୋରେ ଭୁଲିଯିବ ନାଇଁ ଦିନେ ହେଲେ ପର କରି !

 

ଏ ପଥେ ଆସଇ ନିତି ନିତି ମୁହିଁ ଏ ପଥେ ଆସଇ ଚାଲି,

ତୁମରି କୁଟୀରେ ଚାହିଁ ଚାହିଁ ଯାଏ ଚାହିଁ ଚାହିଁ ଫେରେ ଖାଲି,

ପୃଥିବୀରେ ଯଦି ଅମୃତ ପୁରୀ ମୋହ ପାଇଁ ଥାଏ ରହି,

ଏଇ ସେ କୁଟୀର, ଏଇ ସେଇ ଭୂଇଁ ଅନ୍ତର ଉଠେ କହି ।

ଏ ସାରା ଜୀବନ ଧରି

ଏ ଭୂଇଁରେ ମୁହିଁ ଭଲ ପାଉଥାଏ ମୋର ଅନ୍ତର ଭରି !

---------------------------------------------------

 

 

 

ମୋ ପାଇଁ

ଚାରିଆଡ଼େ ଖାଲି ପାହାଡ଼ ବନ

ଚାରିଆଡ଼େ ଖାଲି କେଦାର ମାଳା,

ମଳୟ କେଉଁଠି ଆସୁଛି ବହି,

କୋଇଲି କେଉଁଠି ମେଲିଚି ଧାରା !

ଶାନ୍ତ ସବୁଜ ମୁକ୍ତ ଶୋହ।

ଗିରି ବନ ଦେହୁ ପଡ଼ୁଛି ଝରି,

ଯୁଆଡ଼େ ଟିକିଏ ପକାଏ ଆଖି

ଆନନ୍ଦେ ଉଠେ ମରମ ଭରି !

 

ଏ ମୋହନ ଶରୀ ମେଳେ ମୁଁ ଆଜି,

ଗୋଳି ହୋଇଯାଏ କାହାରି ଲାଗି !

କାହାର ମୁଗ୍‌ଧ ମମତା ଟିକ

ଏ ମରମେ ମୋର ଉଠଇ ଜାଗି !

ଦୂର ବହୁଦୂର ଅଜଣା ମାଟି

ପ୍ରତି ଧୂଳିକଣା କି ପ୍ରିୟ ଲାଗେ !

ଆଗକୁ ଯେବେ ମୁଁ ପକାଏ ପାଦ,

ବାଟ ସରି ଆସେ କି ଅନୁରାଗେ !

 

ଏ ଗଛ ସେ ନଈ ଏ ବିଲ ହିଡ଼

ସେଇ ବଣଗୋଦା ପାହାଡ଼ ଘାଟୀ

ଏ ଗାଆଁ ଗୋହିରୀ ସେ ଗାଆଁ ତଳି,

ଲାଗୋ ମୋର କିବା ମରମ ସାଥି;

ଯେତିକି ମୁଁ ଚାହେଁ ସେତିକି ମତେ

ଆପଣାର ପରି ଲାଗଇ କିଆଁ ?

ହାଇରେ ଯେଉଁଠି ସେନେହ ଥାଏ

ଲାଖି ଲାଖି ସେଠି ଯାଏ ଏ ହିଆ !

 

କେତେ ମୁଁ ବାଟେ ଚାଲିନି ସତେ !

ଏବେ ବି ଚାଲୁଚି କାହାରି ପାଇଁ,

ଟିକିଏ ବିଜାର ଲାଗୁନି, ଚାହେ

ଚାଲୁଥିବି ଚାରି ଆଡ଼କୁ ଚାହିଁ !

ସୁଦୂର ମାଟି ଏ ଅଜଣା ମାଟି,

କେଉଁଠି ମୋର କେ ରହିଛ କାହିଁ ?

କାହାର ଟିକକ ପରଶ ଲାଗି

କେତେ ଅମୃତ ପାରୁଚି ପାଇ !

 

ପାଖ ହୋଇ ଆସେ ସେ ପ୍ରିୟ ଭୂଇଁ

ଆଖୁ କ୍ଷେତ ଦିଶେ ଦୂରରୁ ଏଇ

ଏଇ ବରଗଛ ଯେଉଁଠି କିଏ,

ଛାଡ଼ି ଅଛି ମୋରେ ବିଦାୟ ଦେଇ ।

ଏଇ ସେ ପୋଖରୀ ପଦ୍ମଫୁଲ

ଯେଉଁଠି ସିଏ ମୁଁ ତୋଳିଚୁ ଦିନେ,

ତାରେ ଦେଖିବାକୁ ଯାଉଚି ଆଜି,

କେଡ଼େ ନିଃସ୍ୱ ମୁଁ ତାହାରି ବିନେ ।

 

ମୋରେ ଯେବେ କିଏ ଆଦର କରେ

କରଇ ତାହାର ବକ୍ଷ ତଳ,

ମୋ ଶିରେ ଯେବେ କେ ମୁକୁଟ ଦିଏ,

ଦିଅଇ ତାହାର କନକ କର ।

ମୋ ପାଇଁ ଯେବେ କେ କାନ୍ଦି ଉଠେ,

କାନ୍ଦି ଉଠେ ତା’ ବିରାଟ ହିଆ

ମୃତ୍ୟୁ ପରେ ମୋ ଖୋଜିଲେ ମତେ

ଖୋଜିବ ସେ ଏକା ମୋହରି ପ୍ରିୟା ।

------------------------------

 

ଜ୍ୟେତ୍ସ୍ନାର ଆକାଶ ତଳେ

ଜ୍ୟୋତ୍ସ୍ନାର ଆକାଶ ତଳେ ତୁମେ ମୁହିଁ

ଏକାନ୍ତ ନିଜର ଦୁଇ ଜଣ !

କେଡ଼େ ଭଲ ଲାଗେ

ଏଇ ପ୍ରାଣର ବନ୍ଧନ !

ଓଠେ ଓଠେ କି ବିଲୋଳ ହସ !

ବକ୍ଷେ ବକ୍ଷେ କି ସେନେହ ମାୟା !

ଚିରଦିନ ଚିରକାଳ!

ଏ ଜ୍ୟୋତ୍ସ୍ନାରେ ତୁମେ ମୁହିଁ

ବୁଲୁଥାନ୍ତେ ଆହା !

 

କି ମଧୁର ସ୍ୱପ୍ନ ଆମେ

ଦେଖୁ ଥାଇଁ ଏଥି ଦୁଇଜଣ !

କି ମହା ବିଚିତ୍ର ସୃଷ୍ଟି

ସ୍ୱର୍ଗ ତହୁଁ ନୁହେଁ ଏ କି-

ସୁନ୍ଦର ସୁଷମ !

ଲକ୍ଷ ଲକ୍ଷ ମଣିଷ ତ

ଆମ ପରି ଏ ଜ୍ୟୋସ୍ନାରେ

ଯାଇଥିବେ ବୁଲି,

କିଏ କାରେ କହୁଥିବ

ସତେ କ’ଣ ପ୍ରିୟତମ

ଯିବ ମୋରେ ଭୁଲି !

                  କିଏ କାର ଗଣ୍ଡେ ଦେଇ

ନିବିଡ଼ ଚୁମ୍ବନ

କହୁଥିବ-ତୁମ ମୋର-

ଅନ୍ତରର ଚିର ଗଣ୍ଠିଧନ ।

 

ପ୍ରିୟା ମୋର !

ଶତ ସ୍ମୃତି ବିଜଡ଼ିତ

ପୃଥିବୀର ଏଇ ପୁଣ୍ୟ ଭୂଇଁ

ଅମୃତର ସୁନା କାଠି

ଏ ଅମୃତର ସୁନା କାଠି

ଏ ଅନ୍ତରେ ଯାଏ କେହ୍ନେ ଛୁଇଁ

ତୁମ ମୋହ ଭଳି

କେତେ ଅନ୍ତରର

ସ୍ନେହ ଏଥି ହୋଇ ନାଇଁ ବୁଣା ?

ଏ ମାଟି ପବିତ୍ର କେଡ଼େ !

କି ମହା ବୈଚିତ୍ର୍ୟମୟୀ

ଲାଗେ ୟାର ପ୍ରତି ଧୂଳିକଣା !

 

ସୁନ୍ଦର ସୁନ୍ଦର ଅତିହିଁ ସୁନ୍ଦର ଏଇ ମାଟି !

ଏ ମାଟିର କୋଳେ

ଆହୁରି ସୁନ୍ଦର ଆମେ

ଜଣେ ଯେବେ ଜଣକୁ ଗୋ ଅନୁଭବେ ପ୍ରାଣେ ।

----------------------------

 

ଯଥେଷ୍ଟ ମୋହର ସେଇ

ଏଇ ମହା ପୃଥିବୀରେ ଆନନ୍ଦର ଉପାଦାନ

ଏତେ ଏତେ ରହିଅଛି କଳି କି ପାରିବ ପ୍ରାଣ ?

ଜୀବନକୁ କରିବାକୁ ମଧୁରୁ ମଧୁରତର,

କା ପାଇଁ କାହାକୁ କିଏ ଗଢ଼ିଚି କି ମନୋହର ।

ସୁଖ ସମ୍ପଦର ସୁଏ ଭସାଇ ଦେବାକୁ ମତେ,

କାହାକୁ ଭେଟିଚି ମୁହିଁ ମୋ ଦରିଦ୍ର ଯାତ୍ରା-ପଥେ ।

କାହାକୁ ଚାହିଁଚି ମୁହିଁ କରି କେତେ ଆପଣାର,

କିଏ ମୋ ନୟନେ ଦିଶେ ଅମୃତର ପାରାବାର !

ଆକାଶ ପୃଥିବୀ କିବା ସ୍ୱପ୍ନ ବୋଳା ମହାସ୍ଥଳି

ଇଚ୍ଛା ହୁଏ ଚିରକାଳ ଏଇଠି ମୁଁ ଥିବି ପଡ଼ି !

ଏଇଠି ଏ ବ୍ୟୋମ ବସୁନ୍ଧରା ପରେ ମୋତେ କେହି

ଭଲପାଏ ବକ୍ଷଭରି, ଯଥେଷ୍ଟ ମୋହର ସେହି !

କି ଆନ ସମ୍ପଦ ଲୋଡ଼ା ଯଦି ମୁଁ କା’ ବୁକୁତଳେ

ଜଳ କଳତାନ ପରି ଫୁଟି ଉଠେ ଅବିରଳେ !!

----------------------------------

 

ଆଜି

ଆମରି ଗାଆଁର ମାଜଣା ପୋଖରୀ ଘାଟେ,

ପ୍ରତି ସନ୍ଧ୍ୟାରେ ଆସେ ସଙ୍ଗିନୀ ସାଥେ;

କଜଳ ବେଣୀରେ ଖୋସି କଦମ୍ବ କଳି

କେତେବାର ତାରେ ଯାଇଚି ଲକ୍ଷ୍ୟ କରି ।

 

ସେ’ ଯେ ଅପରୂପ ସୁନ୍ଦରୀବର-ବଧୂ

ଯଉବନ ତାର ଅଧରେ ବୋଲିଚି ମଧୁ !

ମଂଗଳ ଦୀପ ପରି ତା’ ନୟନ ଦୁଇ

ନୀଳ ଭୂରୂଲତା ଲାଜେ ଲାଜେ ପଡ଼େ ଲଇଁ ।

 

ପଦେ ସେ କହିଲେ ଅମୃତଗୋଳା ବାଣୀ

କିନ୍ନରୀ ବୀଣା ସମାନେ ତା ନାଇଁ ଆଣି ?

ତା’ ଓଠ ହସରେ ପୂର୍ଣ୍ଣ କି ମାଦକତା

ପରଶେ ଯାହାର ପଥର କହିବ କଥା !

 

ପ୍ରତି ଅଙ୍ଗ ତା’ ଚାହିଁଲେ ନିମିଷେ ଥରେ,

ନୟନ ଚାହେନା ଆନ କିଛି ଜଗତରେ !

ଏଡ଼େ ସେ ଡଉଲ ଏଡ଼େ ଲାବଣ୍ୟମୟୀ

ତାହା ବିନୁ ନାଇଁ ଧରଣୀରେ ଆନ ଛଇ ।

 

ଦିନେ ମୁଁ ଚାହିଁଲି; ରହିଲି ମୁଁ ଖାଲି ଚାହିଁ

ତାର ମୋର ଆଉ କଥା ଭାଷା ହୋଇନାଇଁ

ମର୍ତ୍ତ୍ୟ ଧରାରେ ସେ ଯେ ଉର୍ବଶୀ ରାଣୀ

ଟିକିଏ ଚାହିଁଲେ ସାର୍ଥକ ଆଖି ବେନି !

 

ଆଉ ଦିନେ, ସାରା ଆକାଶ ଧରଣୀ ତଳ-

ଲାଗୁଥିଲା କିବା ସପନ ରାଇଜ ଘର;

ତରଳ ଜୋଛନା କୁସୁମ ଗନ୍ଧ ସହ

ଗୋପନେ ଗୋପନେ ହେଉଥିଲା ପରିଚୟ ।

 

ଭାଗ୍ୟବାନ ଏ ଦରିଦ୍ର କବି ତାରେ

ଆଡ଼ ନୟନରେ ଚାହିଁଥିଲା ବହୁବାରେ ।

ନୟନେ ନୟନେ ହେଲା କିବା କଥା କୁହା

ଅଧରେ ଅଧରେ ଫୁଟିଲା ହାସର ଶୋହା ।

 

ପଦ ମଞ୍ଜିରେ ଚମକାଇ ଗତିପଥ,

ଚାଲିଗଲା ଗଜ ଗାମିନୀ କାମିନୀ ସତ;

ଉତ୍‌ପଙ୍‌କ୍ଷ ହୋଇ ରହିଲି ତାହାରେ ଚାହିଁ

ସ୍ରଷ୍ଟା କି ମୋରେ ଗଢ଼ିନି ତାହାରି ପାଇଁ ?

 

ଦିନେ ନିଶୀଥର ନିବିଡ଼ ଅନ୍ଧକାରେ

ବିଦ୍ୟୁତ୍‌ ସମ ପଥ ଉଜଳାଇ ଚାଲେ

ଧରି ତାର କର-ପଦ୍ମ କହିଲି ‘‘ମତେ,

ପଥିକ କି ତୁମେ କରିବନି ତୁମ ପଥେ ?’’

 

ଟିକିଏ ହସି ସେ ଘୁଞ୍ଚି ହୋଇଲା ଠିଆ

ପ୍ରଥମ କରି ମୁଁ ଡାକିଲି ସେ ଦିନ ପ୍ରିୟା ।

ବିଲୋଳ ହାସ୍ୟ ଗଲା ଓଠଯୁଗେ ଖେଳି,

ସେ ଗଲା, ଆସିଲି, ମୁଁ ମୋର କୁଟୀରେ ଫେରି ।

 

ଆଉ ଦିନେ ଏଇ ବନ ପ୍ରାନ୍ତର ପରେ

ଦେଖା ହେଲା ଅତି ଗୋପନେ ଗୋପନେ ଥରେ,

ଦଶମୀ ଚନ୍ଦ୍ର ଆସୁଥିଲା ହସି ହସି,

ମତେ ଦେଖି ଠିଆ ହେଲା ସେହି ମଦାଳସୀ ।

 

ସେ’ ଦିନ ମୋରେ ସେ କହିଲା ନମ୍ରଗୀରେ

ପ୍ରାଣର ମଞ୍ଜୁ ବାରତା ଏ ନଈ ତୀରେ

‘ତୁମ ତହୁଁ ବଳି କିଏ ମୋ ପରାଣ ନାଥ ?’’

ତା’ କରପଦ୍ମେ ରହିଥାଏ ମୋର ହାତ ।

 

ମନ୍ଦ ସମୀର ବକୁଳ ଗନ୍ଧ ବହି-

ଆମ ଚଉଦିଗେ ବହୁଥାଏ ରହି ରହି;

ଦଶମୀ ଚନ୍ଦ୍ର ହସୁଥାଏ ଶିର ପରେ

ସେ ମୋର କହିଲା ‘ତୁମେ ମୋର ମହୀ ତଳେ !’

 

ସେ’ ଦିନୁ କେତେ ଯେ ସମୟ ଗଲାଣି ଚଳି,

ଆଜି ମୋ କୁଟୀର ଲକ୍ଷ୍ମୀ ସେ ସହଚରୀ ।

କେତେ ସୁଖେ ଦୁଃଖେ ଦିନ ଆଜି ନେଉ ବାହି,

ସେ ଯେ ଆଜି ମୋର, ମୁହିଁ ଯେ ତାହାରି ପାଇଁ ।

 

ତାହାରି ପାଇଁ ଗୋ କୁଟୀରେ ସରଗ ଜାଗେ

ତାହାରି ପାଇଁ ମୋ ଜୀବନ ମଧୁର ଲାଗେ,

ସେ ଥିଲେ, ପୂର୍ଣ୍ଣ ସକଳ ବାସନା ମମ,

ତା’ ବିହୁନେ ମୁହିଁ କେଡ଼େ ଦରିଦ୍ରତମ !!

---------------------------------------

 

ତୁମେ ଓ ମୁଁ

ଜୀବନ ପଥ ପରେ ତୁମେ ଓ ମୁହିଁ,

ଯାଉଚେ ଜଣୁ ଜଣେ ନିବିଡ଼େ ଛୁଇଁ;

ବୁଝୁଚ ତୁମେ ମୋରେ,

ବୁଝିଚି ମୁଁ ତୁମରେ

ଛିନ୍ନ ହୋଇ ଯେବେ ରହିବା କିଏ କାହିଁ,

ପ୍ରାଣର ବ୍ୟଥା କେତେ ଗଭୀର ହେବ ନାଇଁ ?

 

କି ସୁଖ ସମ୍ପଦ ଦେଉଚ ତୁମେ ମତେ

ଗୋଟି କି ଗୋଟି ମନେ ପଡ଼େ ଗୋ ଅବିରତେ !

ଏତେ ଯେ ଅମୃତ ଦେଉଚ ପ୍ରାଣଚିରି

ଭୁଲିଲେ ଭୁଲି ନାଇଁ ହୁଏ ସେ ସବୁ ଶିରୀ;

 

ଦେଇଚ ଯେତେ ଯାହା ତା’ ତହୁଁ ବଳି ତମେ

ଆହୁରି ଦେବା ପାଇଁ ଲୋଡ଼ ଗୋ ଅନୁକ୍ଷଣେ !

ତୁମରି ଦାନ ଯାହା ତାହାର ଶେଷ କାହିଁ ?

ତୁମରି ଶେଷ ଅଛି,

ତୁମରି ଦାନ କେବେ ସରି ତ ଯିବ ନାଇଁ !

ଛିନ୍ନ ହୋଇ ଯେବେ ରହିବା କିଏ କାହିଁ,

ପ୍ରାଣର ବ୍ୟଥା କେତେ ଗଭୀର ହେବ ନାଇଁ ?

 

ଜଣକୁ ଜଣେ ଆମେ ନିୟତ ଖୋଜୁଥିବା,

ନ ପାଇ କି ବିକଳେ କେ କାହିଁ ରହିଥିବା !

ସୂର୍ଯ୍ୟ ବୁଡ଼ୁଥିବ ଶ୍ୟାମଳ ଗିରିଚୂଳେ,

ପାପିଆ ଗାଉଥିବ ଗୀତଟି ବହୁଦୂରେ

ଦୂରରୁ ଦୂରେ ଏଇ ତଟିନୀ ନୀଳ ବେଣୀ,

ବହି ଗୋ ଯାଉଥିବ,

ଅସୀମ ଯୁଗର କୀ ଅସୀମ ସ୍ମୃତି ଘେନି !

ଏ ପଥଘାଟ ଏଇ ପଲ୍ଲୀ-ବିଲମାଳ

ଥିବ ଗୋ ମୁକୁଳାଇ ସପନ ଚାରିଆଡ଼;

ଏ ସବୁ ସମ୍ପଦେ ଛିନ୍ନ ହୋଇ ଯେବେ-

ରହିବା କିଏ କାହିଁ

ପ୍ରାଣର ବ୍ୟଥା କେତେ ଗଭୀର ହେବ ନାଇଁ ?

 

ଜୀବନ ଚାହେ ଖାଲି ମମତା ବନ୍ଧନ

ଜଣକୁ ଜଣେ ଦେବ ମରମ ଗୋଟି ଭରି,

ଜୀବନ ଚାହେଁ ଖାଲି ଗଭୀର ଆଶ୍ଳେଷ

ଜଣକୁ ଜଣେ ଦେବ ପ୍ରାଣରୁ ବଡ଼ କରି;

ଜୀବନ ଚାହେଁ ଖାଲି ଜଣକୁ ଜଣେ ଏଥି

ଅସୀମ ଅନୁରାଗେ ନିୟତ ଥିବ ଚାହିଁ,

ଏ ମଧୁ ସମ୍ପଦୁ ବିରାଟ ସଂପଦ-

ଧରାରେ କିଛି ଅଛି ଜୀବନ ଜାଣେ ନାଇଁ,

ଛିନ୍ନ ହୋଇ ଯେବେ ରହିବା କିଏ କାହିଁ,

ପ୍ରାଣର ବ୍ୟଥା କେତେ ଗଭୀର ହେବ ନାଇଁ ?

---------------------------------------

 

 

 

 

ଜୀଇ ଥିଲେ

ଜୀବନରେ ମଧ୍ୟାହ୍ନରେ ସୁଦୂର ପ୍ରବାସେ ଯେବେ

ଆସିଲି ମୁଁ,

ଦରିଦ୍ର କୁଟୀର କଣେ ତିଆଗି ତୁମରେ,

ନୟନର ତପ୍ତ ଅଶ୍ରୁଧାରେ

କହିଥିଲି ତମେ,

‘‘ଜୀଇଥିଲେ, ଜୀବନରେ ପୁଣି ଦେଖା ଦେଖି’’

କେତେ କେତେ ଥର ମୁହିଁ

ତୁମଠୁ ବିଦାୟ ନେଇ,

ଦୂରେ ଦୂରେ ବହୁଦୂରେ ଯାଇନାଇଁ ଚାଲି !

ଚାଳି ଏ ଅଙ୍ଗୁଳି,

କେତେ ଲୁହ ଦେଇନାହିଁ ପୋଛି !

ଆପଣାରୁ ଆପଣାର କରି,

ଦେଇନାଇଁ କେତେ ପ୍ରବୋଧନା !

ଏଥର କିପାଇଁ

ତୁମ ନୀଳ ନେତ୍ର ପ୍ରାନ୍ତୁ

ଶ୍ରାବଣର ବାରିଧାରା ପରି,

ପ୍ରତି ଲୁହବିନ୍ଦୁ ବୋହିବାର ବେଳେ,

ରହିଲି ମୁଁ ନିର୍ବାକ ମଉନ ?

ଗଲାନାଇଁ ହାତ ମୋର

ଗୋଟିଏ ତରଳ ଅଶ୍ରୁ

ପୋଛି ଦେବା ପାଇଁ !

 

ପଦେ ବାଣୀ

କହିଲିନି ବୋଧାଇ ତୁମରେ;

କେମନ୍ତେ ମୁଁ

କଠୋର ପାଷାଣ ପରି

ପାଲଟିଲି, ମୂକ-

ପ୍ରାଣହୀନ ଜଡ଼ ?

ଦେଖିଲିନି

କି ଗୁରୁ ଆଘାତ ବାଜି

ତୁମ ମର୍ମ ଥଳ

ହୋଇଯାଏ ଦୁହିଁ;

ବୁଝିଲିନି

କାହିଁକି କହିଲ ମତେ

ଜୀବନରେ

ଜୀଇଥିଲେ ପୁଣି-

ଦେଖାଦେଖି;

ତୁମ ପାଖେ ରହିବାକୁ

କ୍ଷଣେ ଦଣ୍ଡେ ପାଇଁ

ନିଜକୁ ମୁଁ ନିଜେ

ଦେଲିନାଇଁ ଲବେ ଅବସର !

ବୃନ୍ତରୁ କୁସୁମ କଳିକାଟିଏ

ଛିନ୍ନ ହେଲା ପରି

ଛିନ୍ନ ହୋଇ; ଆସିଲି ମୁଁ

ଏତେ ଦୂରେ ଚଳି ;

ମାସ ମାସ ପାଇଁ

ପ୍ରାଣହୀନ ସେଇ ବୃନ୍ତେ

ସେ କେଉଁ ସୁଦୂର ଶାଖେ

ରହିଥିବି, ଏକୁଟିଆ

ଅନନ୍ତ ଶୂନ୍ୟକୁ ଚାହିଁ;

ଦିନ ଦିନ ଧରି,

କାହାକୁ ଅନାଇ,

ଓଠେ ତବ ଉକୁଟି ଉଠିବ ହାସ ?

କା ଆଶ୍ଳେଷେ

ବୁକୁତଳେ ଉଠିବ ଉଲ୍ଲସି ?

ହୃଦୟର ଦୁଃଖ

ଗଭୀରୁ ଗଭୀର ହେଲେ

ଯିବ କାହା ହୃଦୟ ରପଶି ?

 

ମନୁଷ୍ୟ ମୁଁ ?

ଗୋଟିଏ ଅନ୍ତର ତଳ

ମତେ ଧରି କାନ୍ଦୁଅଛି ବିକ୍ଷତା ହରିଣୀ ପରି

କାଠ ପରି ଠିଆ ମୁଁ ହୋଇଚି ଖାଲି,

ଚାହିଁ ତାରେ ବଲ ବଲ କରି

ଗୋଟାଏ ହୃଦୟବାନ୍‌ ଆତ୍ମା ପୁଣି ଅଛି ମୋହରି ଭିତରେ !

ଗୋଟାଏ ଆତ୍ମାର ସୀମାହୀନ ମମତାର ବାଣୀ

ନିଷ୍ଠୁର ପିଶାଚ ପରି ଦଳି ଦେଇ ପାଦେ

ଚାଲିଛି ମୁଁ; ସେ କେଉଁ ସୁଦୂର ଭୂଇଁ ପରମ ଆହ୍ଳାଦେ ?

ଛାଡ଼ି ତାରେ ପାଦେ ମାତ୍ର

ଘୁଞ୍ଚି ମୁଁ ପାରନ୍ତି ?

                  ଯିଏ ମୋରେ କହିପାରେ

‘‘ପ୍ରିୟ ମୋର ! ପ୍ରାଣ ମୋର !

ଜୀଇଥିଲେ, ଜୀବନରେ

ପୁଣି ଦେଖା ଦେଖି’’

ନିଷ୍ଠୁରତାର କେଉଁ

ତୁଙ୍ଗ ଶିଖରରେ

ରହିଲେ ମନିଷ ଏ ବାଣୀ ଆଡ଼େଇ ପାରେ

ଯେ ବାଣୀର ପ୍ରତ୍ୟେକ ଅକ୍ଷର

ହୃଦୟର ତପ୍ତ ଅଶ୍ରୁ କୋଳେ ଢଳ ଢଳ !!

 

 

ଜୀବନର ଏଇପାରେ, ଆରପାରେ

ସକଳର ପାରେ

ଯିଏ ମୋ ଏକାନ୍ତ ସାଥି,

ପ୍ରାଣ ପ୍ରତି ଶୋଣିତ ବିନ୍ଦୁରୁ ବଳି

ଯିଏ ମୋର ଏକାନ୍ତ ନିଜର,

ଏ ବକ୍ଷର ଅବାରିତ, ଅନନ୍ତ ମମତା ଦେଇ

ଜୀବନର ସକଳ ମୂହୂର୍ତ୍ତେ

ଯାହାରେ ମୁଁ ଗଣ୍ଠିଧନ କରି

ରଖିଅଛି

ଏ ଦେହ ମନର ପ୍ରତିଶିରା ଉପଶିରା ଧରି,

ମାଳତୀ ମଞ୍ଜରୀ ପରି

ଯାହାର ଅନ୍ତର

ମୁକୁଳାଇ ଦେଇଚି ଯେ

 

ମୋର ଦେହ ମନ ପ୍ରତି ଇନ୍ଦ୍ରିୟରେ,

ଅମୃତର ମୋହନ କମ୍ପନ

ମୁହୂର୍ମୁହୁ ସୃଜି, କାଳ କାଳ ଧରି,

ତା’ର ଦୁଃଖ,

ତା’ର କଷ୍ଟ,

ତା’ର ପ୍ରାଣବୋଳା ଅଭିମାନ

ମୁହିଁ ଯେବେ

ପାରିଲିନି ଦେଖି,

ମୁହିଁ ଯେବେ ପାରିଲିନି ବୁଝି,

କେମନ୍ତେ କହିବି ନାଇଁ

ମୁକ୍ତ କରି ରସନାରେ ପ୍ରତି ତନ୍ତ୍ରୀ-

ମାନବର ମହା ମହିମାରେ

କରିଚି ମୁଁ ବେଖାତିର,

ଦେଇଚି ମୁଁ ତୀବ୍ର ଅପମାନ;

ଯୁଗେ ଯୁଗେ ଜନ୍ମେ ଜନ୍ମେ,

ଲୋକେ ଲୋକେ

କାହିଁ ହେଲେ

ନାଇଁ ମୋର

ଅଣୁମାତ୍ର ସ୍ଥାନ !

 

ଏକାକୀ ବିହଗ ପରି,

ସୁଦୂର ପ୍ରବାସ ଗାଏଁ

ବୁଲୁଚି ମୁଁ ପେଟ ପାଇଁ;

ମୋର ଏଥି ଆପଣାର କିଏ ଜଣେ ନାଇଁ;

ଦେଖୁଚି ମୁଁ ଚାରିଆଡ଼େ

ବିଲ ବଣ ଗାଆଁ ଗଣ୍ଡା

ପର୍ବତ ପାହାଡ଼ ନଦୀ ପ୍ରାନ୍ତର ସରଣୀ,

ଦେଖୁଚି ମୁଁ ସୀମାହୀନ ଜନତାର କଳ କୋଳାହଳ,

ଦେଖୁଚି ମୁଁ ଆନନ୍ଦ ଉତ୍ସବ,

ଦେଖୁଚି ମୁଁ ସୂର୍ଯ୍ୟ ଉଇଁବାର; ବୁଡ଼ିବାର

ପାଟଳ ବିଭାସେ ରଞ୍ଜି ବାରୁଣୀ ପଟଳ,

ଦେଖୁଚି ଗିରି ଚୂଳେ

ମେଘର ଘୁମନ୍ତ ଲୀଳା,

ଦେଖୁଚି ମୁଁ କିଶୋର କିଶୋରୀ

ତରୁଣ ତରୁଣୀ, ଯୁବା ଯଉବନୀ

ହସିଖେଳି ଅନନ୍ତ ସୋହାଗେ

ପରାଣେ ପରାଣ ଢାଳି

ଚାଲିଛନ୍ତି ଦିବସ ରଜନୀ,

ଦେଖୁଚି ମୁଁ ଆକାଶ ଅବନୀ ପୂରି

ଜୋଛନାରେ ମହା ପାରାବାର-

ସୀମାହୀନ ସପନର ବିପୁଳ ସଂସାର;

ଦେଖୁଚି ମୁଁ ବଇଁଶୀ ବଜାଇ,

ବସି ମଇଁଷି ଉପରେ,

ଫେରୁଚି ଗଉଡ଼ ପିଲା

ପାହାଡ଼ର ପାଦତଳୁ

ସେ ଦୂର ପାହାଡ଼ୀ ଗାଏଁ

ଓଠରେ ଆନନ୍ଦ ହାସ

ଖେଳି ଖେଳି ଯାଏ !

ଦେଖୁଚି ମୁଁ ଗ୍ରାମ ସୀମନ୍ତନୀଦଳ

କେଶେ ଖୋସି କିଆଫୁଲ

କାଖେ ଧରି କଳସୀରେ ଜଳ

ଉଦ୍ଦାମ ଯୌବନ ତେଜେ

ଜୀବନ୍ତ ସୁନ୍ଦର-

ପାହାଡ଼ ପ୍ରାନ୍ତର

ବନଭୂମି ତଳେ ତଳେ ଚାଲିଛନ୍ତି

କେତେ ହସ ଖୁସି କଥା

କହି ପରସ୍ପର !

 

ଏ ସବୁ ସମ୍ପଦ ଶିରୀ

ପ୍ରତି ନିତି ଦେଖି ଦେଖି ଯାଏ;

କାନ୍ଦି ଉଠେ ବୁକୁ ତଳ,

ଲୋଚନ ଯୁଗଳ,

ନୀରବ ଅଶ୍ରୁରେ ହୁଏ ଛଳ ଛଳ;

ପେଟ ପାଇଁ ବୁଲୁଚି ମୁଁ

ଦୂରେ ରଖି

ତୁମ ଭଳି ଗୋଟିଏ ଅନ୍ତର !

ମୁହିଁ ସତେ କେଡ଼େ ହତଭାଗା ?

ସମୁଦାୟ ପୃଥିବୀରେ

ମୋହ ପାଇଁ ନାଇଁ ଟିକେ ଜାଗା-

ଯେଉଁଠାରେ ତୁମେ ମୁହିଁ

ସୁଖେ ଦୁଃଖେ ବିପଦେ ଆପଦେ

ଦିନ ନେଉଥାନ୍ତେ ବାହି

ଜଣେ ଜଣକୁ ଯେ ଚାହିଁ;

 

 

ଜୀବନ ଜୀବନ ପରି

କରୁଥାନ୍ତି ମୁହିଁ ଅନୁଭବ,

ଏହି ମହା ନିସର୍ଗର ଅନନ୍ତ ଉତ୍ସବ

ପ୍ରାଣେ ପ୍ରାଣେ ସୃଜୁଥାନ୍ତା

ଅନନ୍ତ ମାଧୁରୀ !

ମୁହୂର୍ତ୍ତ ମୁହୂର୍ତ୍ତ ଧରି ଏ ଜୀବନ ପାତ୍ର

ଉଠୁଥାନ୍ତା ପୂରି

ସରଗର ସୁଧା ଉପାୟନେ !!

‘ଜୀଇ ଥିଲେ ଜୀବନରେ

ପୁଣି ଦେଖା ଦେଖି’

କହୁ ତ ନ ଥାନ୍ତ ତୁମେ

ଅଶ୍ରୁଳ ନୟନେ,

ସୁଦୁର ସେ କୁଟୀର ଅଙ୍ଗନେ-

ଯହିଁ ତୁମେ ରହିଥିବ ଏକା,

ଚାହିଁ ଥିବ ଚାତକ ପକ୍ଷୀଟି ପରି,

ପାଇବାକୁ

ମୋ ଟିକକ ଦେଖା !!

-------------------

 

ଯାଉଚି, ଥାଅ !

ବିଦାୟ ବେଳେ            ଚାହିଁଚି ମୋରେ

କହିନି ପଦେ କଥା !

ଚାହିଁଚି ଖାଲି            ନୟନ ଢାଳି !

ଲାଗଇ କିବା ବ୍ୟଥା !

 

ଯାଉଚି, ଥାଅ !            କହିଲି ହାୟ !

ଜବାବ ନାଇଁ ଆସେ,

ସେ ଆଖି ଦୁଇ            ଆଘାତ ପାଇ

ଲୋତକ ନୀରେ ଭାସେ !

 

ଚାଲିଲି ମୁହିଁ            କର୍ମ ଭୂଇଁ

ମାନୁନି ମୋର ମନ,

ସେ ଦୁଇ ଆଖି            ମତେ କି ଡାକି

କରଇ ଛନ ଛନ !

ସ୍ୱର୍ଗ ଯଦି            କାହିଁରେ ଥାଏ

ଅଛି ସେ ଦୁଇ ଆଖେ

ମୃତ୍ୟୁ ଯଦି            ମଧୁର ଲାଗେ

ଲାଗେ ତାହାରି ପାଖେ !

--------------------

 

ଗୋଟିଏ କଥା

ପରାଣ ଆବେଗେ ଦିନେ କହିଥିଲି ସଖି !

ଜୀବନେ ଗୋଟିଏ କଥା ପାରିବ କି ରଖି ?

ସେଇ ନବ ପରିଚୟେ ମଧୁ ଆଳାପନେ

ଫଗୁଣ ପ୍ରଭାତେ ବସି ଯୂଥିକା ଅଙ୍ଗନେ !

 

ସେ ଦିନ ପ୍ରଭାତ ରବି ଆସୁଥିଲା ଉଇଁ,

କନକ କିରଣେ ରଞ୍ଜି ବିଲ ପଦା ଭୂଇଁ,

ହସି ଉଠୁଥିଲା ଦୂର ସହକାର ବନ

ବକୁଳ ମଞ୍ଜରୀ ଘେନି ପିକର ପଞ୍ଚମ !

 

ସରମେ ନୁଆଇଁ ମଥା କହିଲ ସୂନ୍ଦରି !

ବଙ୍କିମେ କନକ ଗ୍ରୀବା ଢାଳି କେତେ ଭଳି,

‘‘କି କଥା କହିବ ମୋରେ ମୋ ଜୀବନ ସ୍ୱାମୀ

ପାରିବିନି ରଖି ହୋଇ ତୁମ ହୃଦ ରାଣୀ;

 

କହୁନା କାହିଁକି ପ୍ରିୟ ? କହିବ କି କଥା

ବେଳୁ ବେଳ ବଢ଼େ ମୋର ପ୍ରାଣ ଆକୁଳତା ।’’

ମଥା ତବ କୋଳେ ଥାପି କହିଲଇଁ ମୁହିଁ

‘‘ଯେବେ ମୁଁ ତିଆଗି ଯିବି ଏ ମୋହନ ଭୂଇଁ-

 

ଯୁଗ ଯୁଗ କାଳ କାଳ ପାଇଁ ଲୋ ସୁନ୍ଦରି !

ମୋ ଲାଗି କାନ୍ଦିବୁ ନାଇଁ ବକ୍ଷ ପୁଟେ ଭରି-

ଅସୀମ ଅନନ୍ତ ବ୍ୟଥା, ଏ ପଦ୍ମ ଆନନ

କରିବୁନି କଳାକାଠ ପରି ଶିରୀ ହୀନ !

 

ଢଳ ଢଳ ଏ ଯେ ତୋର ନୀଳ ଆଖି ଦୁଇ

ସକଳ ବେଦନା ଘୁଞ୍ଚେ ଯାହା ସ୍ପର୍ଶ ପାଇ,

ଉଷ୍ମ ଅଶ୍ରୁନୀରେ ସିକ୍ତ କରିବୁନି ସଖି !

ଏତିକି ମାଗୁଣି ମୋର ପାରିବୁ ଲୋ ରଖି;

 

ଏ ଯେଉଁ ରକ୍ତିମ ଓଠ ବାଳଭାନୁ ଜିଣି

ବେଦନାର କୃଷ୍ଣଛାୟା ଅୟିଗରବିଣି !

କେମନ୍ତ ନାଚିବ ତହିଁ ? ଲାଗେ କଲବଲ

ରହିଥିବୁ ହୋଇ ନିତ୍ୟ ସଜ ଶତଦଳ ।

 

ମୋ ବିରହେ କାତର ତୁ ହେବୁନି ସୁନ୍ଦରି !

ଏ ଅନନ୍ତ ସ୍ନେହ ତୋର ରଖିଥିବୁ ଭରି

କହୁ କହୁ ନୀଳ ଇନ୍ଦୀବର ଜିଣା ଆଖି

ଲୋତକରେ ଆର୍ଦ୍ର କରି କାନ୍ଦି କାନ୍ଦି ଡାକି-

 

କହିଲ- ‘‘ହେ ପ୍ରିୟତମ ! ଏ ନିଷ୍ଠୁର କଥା

କହିବାକୁ ଥିଲା ମତେ ଦେବା ପାଇଁ ବ୍ୟଥା !

କହନି କହନି ମୋରେ ସେ ନିଠୁର କଥା

ତୁମ ବିନେ କାହିଁ ମୋର ସୁଖ ସରସତା ?

 

ତୁମ ବିନା କିବା ଲାଭ ଏ ଶିରୀ ଦେହର

ତୁମ ଆଗେ ଆଖି ବୁଜେ ଆଶୀର୍ବାଦ କର ।’’

--------------------------------

 

ହୃଦୟର ଦାନ

ଦରିଦ୍ର କୁଟୀରେ ବସି ପ୍ରେୟସୀରେ ଚାହିଁ,

କହିଲଇଁ ‘‘ଇଚ୍ଛା ହୁଏ ଖାଇବାର ପାଇଁ-

ଭୁଜା କିଛି, ଏ ବର୍ଷଣ ବାରିଦ ବେଳାରେ

ଅଛି କିଛି ଘରେ କଣ ?’’ ସେ ବଣା ଡଙ୍କାରେ !

 

ଖୋଜିଗଲା କିଛି ନାଇଁ; ଗୃହ କଣେ ଠାଏଁ

ଉଖୁଡ଼ା ଓ ଚୂଡ଼ାଭୁଜା ପ୍ରାୟେକ ମୁଠାଏ,

ସେ କେଉଁ ଯୁଗର ଯେହ୍ନେ ରହିଅଛି ପଡ଼ି

ପାଛୁଡ଼ି ସଜାଡ଼ି ଏକ ଚାଙ୍ଗୁଡ଼ିରେ ଭରି-

 

କହିଲା ସସ୍ନେହ ଭାଷେ, ‘‘ଖାଇବକି ୟାରେ ?

ସେତେ ଭଲ ଲାଗିବନି’’ ବୋଇଲି ମୁଁ ତାରେ

‘‘ଆଣ ସଖି ! ଦିଅ ମତେ ନିଶ୍ଚେ ଖାଇବଇଁ

ଏ ତହୁଁ ଅମୃତ ନୁହେ ଏତେ ମିଠା ସହି !

 

ତୁମରି ପ୍ରାଣର ମଧୁ ଯହିଁ ଢଳ ଢଳ

କେସନେ ସେ ହେବନାଇଁ ମତେ ରୁଚିକର ?’’

--------------------------------

 

ଆଜି କିମ୍ପା ଯାଇଅଛି ମରି ?

କେତେ ସ୍ନେହ ଦେଇଚି ମୁଁ ଅକାତରେ ତାହାଠାରେ ଭରି

ପୃଥିବୀର ସବୁ ସମ୍ପଦରୁ ଦେଖିଚି ମୁଁ ତାରେ ବଡ଼ କରି ।

ମୋ ଅନ୍ତର ପ୍ରତି ସୁକ୍ଷ୍ମକୋଷେ ଏଇଭଳି ନାଇଁଥିବ ଥାନ

ଯେଉଁଠାରେ ଉଠିନାଇଁ ବାକି ତା ବୁକୁର ମଧୁମନ୍ଦ୍ର ତାନ;

 

ଯେତେ ଯାହା ସୁନ୍ଦର ମଧୁର ଦେଇଛି ମୁଁ ତାହା କରେ ଭରି

ତାରେ ଯେତେ ମୁହିଁ ଦେଖିପାରେ, କଳ୍ପନା କେ ପାରିବନି କରି ।

ତାର ସେଇ ନୀଳନେତ୍ର ତଟେ ଟୋପେ ଲୁହ ହେଲେ ଢଳ ଢଳ

ସହି ପାରେ ନାଇଁ ମୋ ଅନ୍ତର, ପୋଛିଦିଏ ହୋଇ ତରତର ।

 

ଓଠେ ହାସ ନ ଜାଗିବାଯାଏଁ ଶାନ୍ତ ପଡ଼େ ନାଇଁ ମୋର ହିଆ

ମୁଁ ଜାଣେ ମୋ ସୁନାର ରାଇଜ ବାନ୍ଧି ରଖିଅଛି ସେ ମୋ ପ୍ରିୟା !

ଜୀବନେ ମୋ କେତେ ଯେ ମୁହୂର୍ତ୍ତ କଟିଛି ତା ସୀମ ସଂଖ୍ୟା କାହିଁ ?

ଦିନେ ହେଲେ ପଦେ ରୁଷ୍ଟ-ବାଣୀ ତାରେ ମୁହିଁ କେବେ କହିନାଇଁ !

 

ପ୍ରଭାତର ଶିଶିର ଧଉତ ଅର୍ଦ୍ଧସ୍ଫୁଟ ଗୋଲାପଟି ପରି,

ନିତି ଯେବେ ହସି ଉଠୁଥାଏ ମୋର ପ୍ରିୟା ଧରାର ଅପ୍‌ସରୀ,

ଚାହିଁ ଦେଲେ ଲାଜଲାଜ ବୋଳା ତାର ସେଇ ଅଧର ପଲ୍ଲବେ

ସେନେହର ମଧୁବୋଳା ଭାଷା ଜାଗେ ଯେବେ ମୋହନ ଗୌରବେ,

 

ମତେ କେଡ଼େ ଲାଗଇ ଅଧିକ ! ପୃଥିବୀର ଆଉ କେଉଁ କଣେ

କି ଅମୃତ ରଖିଚି ବିଧାତା ବିଶ୍ୱାସ ମୋ ହୁଏ ନାଇଁ କ୍ଷଣେ !

ତା ଓଠର ସେ ଅମୃତ ହାସ ଆଜି କିମ୍ପା ଯାଇଅଛି ମରି ?
ଆଉ ମତେ ସେନେହ ଉଦ୍‌ବେଳେ କହୁନି ସେ କଥା ଆଗପରି ।

 

ଚାହିଁ ଦେଲେ ଜୀବନର ଦୁଃଖ ଯାହା ପାଖେ ଯାଉଥିଲି ଭୁଲି,

ଆଜି ତାରେ ଚାହିଁ ଦେଲେ ଖାଲି ନେତ୍ରେ ମୋର ଲୁହ ଉଠେ ପୁରି !

ଏତେ ଦୁଃଖ ଏତେ ଯେ ବେଦନା ଏତେ ଲୁହ ଏତେ ହତାଶାର

ତା ଜୀବନ ସକଳ ସମ୍ପଦ କରି ଦେଇଅଛି ଚୂରମାର !

 

ତା ବୁକୁରେ ଟିକିଏ ଆଘାତ, ମୋ ଅନ୍ତରେ ମହା ବଜ୍ରପରି,

ତା ନୟନେ ଏକ ବିନ୍ଦୁ ଲୁହ, ମୋ ନୟନେ ସପ୍ତ ସିନ୍ଧୁ ସରି;

ତିଳେ ସେହୁ ରହିଲେ ମଉନ, ପୃଥ୍ୱୀ ମୋରେ ମରୁଭୂଇଁ ସମ,

ତା’ ଓଠରୁ ମରିଗଲେ ହସ, ମରିଯାଏ ମୋ ନିଃସ୍ୱ ଜୀବନ;

 

ତା’ ବୁକୁରୁ ନ ଫୁଟିଲେ କଥା, ମୂକ ରହେ ମୁଁ ପାଷାଣ ପରି,

ନ ଝରିଲେ ତା ଦେହୁଁ ଲାବଣ୍ୟ ନିଭିଯାଏ ମୋ ଦେହରୁ ଝଳି ।

ଶତ ବଜ୍ର ପଡ଼ୁ ମୋର ଶିରେ ସହି ନେବି ନ ହୋଇ କାତର,

ମୁଁ ଚାହେଁ ସେ କମଳକଳିମା ପରି ଦିଶୁ ନିତ୍ୟ ଢଳ ଢଳ !

 

ତା’ ଓଠର ସେ ଅମୃତ ହସ ଆଜି କିମ୍ପା ଯାଇଅଛି ମରି ?

ଆଉ ମତେ ସେନେହ ଉଦ୍‌ବେଳେ କହୁନି ସେ କଥା ଆଗ ପରି ।

-------------------------------------------------

 

ପ୍ରବାସୀ-ପଥିକ

ଗୋଟିଏ ଆଖି ତଳୁ            କୋଟିଏ ଭାକ୍ଷା ଜାଗେ

ଅଥୟ କରିଦିଏ ମୋତେ,

ମୁଁ ଖାଲି ଚାହିଁ ରହେ,            ମୁଁ କିଛି ନାଇଁ କହେ

କିଭଳି ଯିବି ମୋର ପଥେ ।

 

ଅସୀମ ପଥେ ମୁହିଁ            ଯାତ୍ରୀ ଚାଲିବଇଁ

ଆଜି ମୁଁ ଚାଲି ନାଇଁ ପାରେ,

ସେ ମୋରେ ଚାହିଁ ରହେ            ମମତା ଉଦ୍‌ବେଳେ

ବୁଡ଼ି ମୁଁ ଯାଏ ଲୁହ ଧାରେ ।

 

ବସନ ଅଞ୍ଚଳେ            ମୋ ଲୁହ ପୋଛି ଦେଇ

ନିବିଡ଼ ଆଶ୍ଲେଷ ଦିଏ,

ଏ ମହା ଧରଣୀରେ                  କେତେ ସେ ଦେଖିପାରେ

ହୃଦୟ ବ୍ୟଥା ବୁଝିନିଏ ।

 

ଆସିବ କେବେ ତମେ            ନ ଆସ ପଛେ କ୍ଷଣେ

ମନରେ ଥିଲେ ସବୁ ହେଲା,

କେସନେ ଯିବି କାହିଁ            ତାହାରି କଥା ହାଇ !

ମରମେ କରେ ଖାଲି ଖେଳା ।

 

ନିଃସ୍ୱ ଏ କୁଟୀରେ            ରହିଲି ରହିଲି ମୁଁ

ଯିବତ ଯାଅ କିଆଁ ଡେରି ?

ପ୍ରଥମ ପଦପାତେ            ଚାହେଁ ମୁଁ ପଶ୍ଚାତେ

ନୀରବେ ତାହା ଆଡ଼େ ଫେରି;

 

ନିଠୁରେ ଏଡ଼ି ଦେଇ            ମୋହନ ମାୟା ତାର

ଚାଲିଲି ଦୁର ପଥେ ମୋର

ମନ ତ ମାନୁନାଇଁ;            କିଭଳି ସୁନିବିଡ଼

ତାହାରି ସେ ମମତା ଡୋର !!

 

କେତେ ଯେ ବିଲ ବଣ            ପାହାଡ଼ ପ୍ରାନ୍ତର

ପଥେ ଯେ କେତେ ନଈ ନାଳ,

ଲଙ୍ଘି ଆସିଲଇଁ            ତଥାପି କାହିଁପାଇଁ

ନେତ୍ରୂ ବହିଯାଏ ଧାର ?

 

କେତେ ଯେ ସଖା ସାଥି      ଭେଟିଲେ ପଥେ ପଥେ

ସେନେହ ଆଳାପନ କରି,

ଚାଲିଚି ହାଇ ! ହାଇ      ଲାଗୁନି ବୋଧ ମତେ

ତାହାରି କଥା ଯାଏ ସ୍ମରି;

 

କର୍ମ ଭୂଇଁ ମୋର            ଏଇତ ଏଇ ଏଇ

କେତେ କା’ ତୁଲେ ହୁଏ ଦେଖା,

ଏ ସବୁ ଭିତରେ ବି            ତା’ କଥା ମନେ ପଡ଼େ

ଦିଶି ଯେ, ତାରି ରୂପରେଖା !

 

ସଂଧ୍ୟା ହେଲେ ଏଇ            ପାହାଡ଼ ତଳେ ତଳେ

ନୀରବେ କେତେ ଯାଏ ବୁଲି,

ସଡ଼କ ଧାରେ ଧାରେ            ତଟିନୀ-କଳତାନ

ଶୁଣେ ମୁଁ କେତେ କାନ ପାରି !

 

ପାହାଡ଼ ଚୂଳେ ଦେଖେ            ମେଘର ନର୍ତ୍ତନ

ଇନ୍ଦ୍ରଧନୁ ମଧୁ ଛାଇ,

ଏ ସବୁ ଶିରୀ ମେଳେ            ସେହୁ ବି ମନେ ପଡ଼େ

ଦିଶେ ତା’ ରୂପ ରହି ରହି !

 

ନିଶୀଥେ ଚାରିଆଡ଼            ହେଲେକ ଶୂନଶାନ

ସେ ମୋର ବେଶୀ ପଡ଼େ ମନେ,

କିଭଳି ରହିଥିବ            କିସ ସେ ଭାଳୁଥିବ

ନିଃସ୍ୱ ସେ କୁଟୀର କଣେ !

 

ନୀରବେ ଲୁହ କେତେ            ଯାଉ ତ ଥିବ ଝରି

ତା ନୀଳ ନୟନର ତଟୁ,

ବେଦନା ସିନ୍ଧୁ ଯେ            ଉଛୁଳି ପଡ଼ୁଥିବ

ରୋଧିବ କିଏ ମନ ପଟୁ !

 

ନେତ୍ରେ ନିଦ ତାର            ଆସୁ ତ ନାଇଁଥିବ

ଦିନଟା ଲାଗୁଥିବ ବଡ଼,

ମନର କଥା ତାର            ମନରେ ରହିଥିବ

ହୋଇ କି ନିଦାରୁଣତର !

 

ସେ ଖାଲି ବସିଥିବ            ନୀରବେ ମତେ ଚାହିଁ

ସେ ଖାଲି ଭାଳୁଥିବ ମତେ,

କେସନେ ଆସିଲି ମୁଁ            ନିଠୁରେ ଛାଡ଼ି ଦେଇ

ସେ କେଉଁ ବହୁଦୂର ପଥେ !

 

ତାହାରି ବୁକୁ ତଳେ            ଦାରୁଣ ବ୍ୟଥାଟିକ

ବୁଝିବା ପାଇଁ ମତେ ହାଏ

ମିଳିଲା ନାଇଁ ଯେବେ            ଟିକିଏ ଅବସର

କି ଶିରୀ ଏ ଜୀବନେ ଥାଏ !

 

ଗଭୀର ମରମର            ସେ କେଉଁ ସାତ ତଳେ

ସାଇତି ରଖିଚି ସେ ମତେ,

ସକଳ ସମ୍ପଦୁ            ବଳି କି ସମ୍ପଦ

ସେ ନୁହେଁ ମୋର ଏ ଜଗତେ

-----------------

 

ଆସିଲି କି ଫେରି ?

ବହୁଦିନ ପରେ ଯେବେ ମୁଁ ଚାଲିଲି

            ସେଇ ପରିଚିତ ସୁଦୂର ଭୂଇଁ,

ଦେଖିଲି ସେ ନଈ ବହୁଚି ସେପରି

            କଳତାନେ କୋଟି ପରାଣ ଛୁଇଁ ।

 

ବହୁଦିନ ପରେ ଯେବେ ମୁଁ ଚାଲିଲି

            ସେଇ ପରିଚିତ ସୁଦୂର ପଥ

ଦେଖିଲି ଆକାଶେ ନୀଳ ମଥା ତୋଳି

            ଠିଆ ହୋଇଅଛି ସେ ପରବତ ।

 

ଦେଖିଲି ଫୁଟୁଚି ଚାରୁ ଚମ୍ପକ

            ଗନ୍ଧେ ଆମୋଦେ ସବୁରି ହିଆ,

ଦେଖିଲି କେଉଁଠି ଚାଳର କୁଟୀର

            କେଉଁଠି ସଉଧ ଗରବେ ଠିଆ ।

 

ଦେଖିଲି ଦୋକାନ ବଜାର ଓ ହାଟ

            ବିକା କିଣା ନିତି ଲାଗିଚି ତହିଁ,

ଦେଖିଲି ରହିଚି ଗୋଟି ଗୋଟି ହୋଇ

            ସବୁ ବାଟ ଘାଟ ସବୁରି ସାଇ ।

 

ଦେଖିଲି ସଞ୍ଜେ ଗୋଧନ ବାହୁଡ଼ା,

            ଶୁଣିଲି ଟିପାର ମଧୁର ବାଣୀ,

ଦେଖିଲି ସୂର୍ଯ୍ୟ ପାହାଡ଼ ସେପାରେ

            ବୁଡ଼ିଯିବା ଢାଳି ପାଟଳ ଠାଣି,

 

ଦେଖିଲି କେତେ ମୁଁ ଯୁବା ଯଉବନୀ,

            ଦେଖିଲି ବାଳକ ବାଳିକା ଦଳ

ଦେଖିଲି କା’ ଓଠେ ମୋହନ ହାସ୍ୟ

            ନୟନେ ଚାହାଣୀ ମଧୁରତର ।

 

ସବୁତ ଦେଖିଲି, ସବୁତ ବୁଲିଲି,

            ସବୁତ ଚାହିଁଲି ଗୋଟିକି ଗୋଟି

ସବୁ ଅନୁଭବେ କାହା ଅନୁଭବ,

            ବିଶାଳୁ ବିଶାଳ ହୁଅଇ ମୋ’ଠି !

 

ବହୁଦିନ ପରେ ଯେବେ ମୁଁ ଚାଲିଲି

            ସେଇ ପରିଚିତ ସୁଦୂର ଭୂଇଁ

ଦେଖିଲି ସବୁତ ସବୁଠି ରହିଚି,

            କିଏ ଯାଏ ମୋରେ ନିବିଡ଼େ ଛୁଇଁ ?

 

କା’ ପାଇଁ ଢାଳିଲି ଲୋଚନୁ ଲୋତକ,

            କାହାକୁ ଖୋଜିଲି ନୀରବ ମନେ

କାହାକୁ ନ ଦେଖି ଦେଖିଲି କାହାକୁ

            ପରିଚିତ ବିଲ ପାହାଡ଼ ବନେ !

 

କିଏ ସେ ବୁଲୁଚି ସେଇ ପଥେ ଘାଟେ,

            ନ ଦିଶି କିଏ ସେ ଯାଉଚି ଦିଶି

ଅଧେ ବାଣୀ କାରେ କହିଲା ବେଳକୁ

            ଆନ ଅଧେ ଯାଏ ଅଧରେ ମିଶି ।

 

କିଏ ସେ କାହାର ବିମୋହନ ଛଇ

            ବେଶି ବେଶି ପଡ଼ି ଯାଉଚି ମନେ,

ଖୋଜିଲେ କାହାକୁ ଖୋଜି ମୁଁ ପାରୁନି,

            ଅଛି କି ନ ଅଛି ମୋ ପାଇଁ ଜଣେ ।

 

ନିଆଶା ଭିତରେ ଆଶାର ସପନ,

            ଆଶା ଭିତର କେ’ ନିଆଶା ଆଣେ ?

ମୋ ବିନୁ କିଏ ସେ ଜାଣିବ ଏ ସବୁ

            କିବା ଲାଭ କହି କାହାରି କାନେ ?

 

ବୁଝିଲେ କିଏ ସେ ବୁଝିବ ଏ ସବୁ

            ନିଜେ ବୁଝି ନିଜେ ରହୁଚି ତୁନି,

ଯେତେ ତୁନି ହେଲେ କି ମଧୁ ଧିଆନେ

            କିଏ ଆସି ମୋରେ ଉଠାଏ ପୁଣି !

 

ବହୁଦିନ ପରେ ଯେବେ ମୁଁ ଚାଲିଲି

            ସେଇ ପରିଚିତ ସୁଦୂର ଭୂଇଁ

ଦେଖିଲି ସବୁତ ସବୁଠି ରହିଚି

            କିଏ ଯାଏ ମୋରେ ନିବିଡ଼େ ଛୁଇଁ ?

 

ବହୁଦିନ ପରେ ଯେବେ ମୁଁ ବୁଲିଲି

            ସେଇ ପରିଚିତ ସୁଦୂର ଭୂଇଁ

ଦେଖିଲି ସବୁତ ସବୁଠି ରହିଚି

            କିଏ ଯାଏ ମୋରେ ନିବିଡ଼େ ଛୁଇଁ ?

 

ବୁଲିଲେ ବୁଲୁଚି ହସିଲେ ହସୁଚି

            ଦେଖିଲେ ଦେଖୁଚି ମୁଁ ଚାରିଆଡ଼,

କାନ୍ଦିଲେ ମୁହିଁ କାନ୍ଦୁଚି ବସି

            ନୟନୁ ତିଆଗି ଲୋତକ ଧାର ।

 

ଏ ସବୁ ଭିତରେ କାହାରେ ଖୋଜୁଚି

            କାହାରେ ଡାକୁଚି ଏ ବୁକୁ ତଳେ,

କାହାର ଅଭାବ ଟିକକ ପାଇଁ ମୁଁ

            ବୁଡ଼ିଯାଏ ମହାସାଗର ଜଳେ !

 

କେଉଁ ମହାପାରେ କିଏ ସେ ରହିଛି,

            କାହା ଲାଗି ଏତେ ମମତା ଜାଗେ

କାହା ବୁକୁତଳ ସମ୍ପଦ ଟିକ

            ଚାରିଆଡ଼େ ଚାହିଁ ନୀରବେ ମାଗେ !

 

କାହାରେ ଚାହିଁ ମୁଁ ଯିବାପାଇଁ ଫୁଟି

            ଅସୀମ ଧିଆନେ ଯାଉଚି ବୁଡ଼ି

କାହା ଲାଗି ମୋର ନୟନେ ଦିଶେ ଏ-

            ବିଲ ବନ ଗାଆଁ - ସପନପୁରୀ ।

 

କି ମଧୁ ସୋହାଗ ଦେଇଛି ମତେ କେ,

            ସେ କେଉଁ ଜନମେ ଜୀବନ ଭରି,

ତା’ରେ ମୁଁ ଦେଖୁଚି କି ବିରାଟ କରି

            ଅନୁଭବ ଖାଲି ପାରିବ ଧରି ।

 

ବହୁଦିନ ପରେ ଯେବେ ମୁଁ ଚାଲିଲି

            ସେଇ ପରିଚିତ ସୁଦୂର ଭୂଇଁ

ଦେଖିଲି ସବୁତ ସବୁଠି ରହିଚି,

            କିଏ ଯାଏ ମୋରେ ନିବିଡ଼େ ଛୁଇଁ !

 

ବହୁଦିନ ପରେ ଯେବେ ମୁଁ ଚାଲିଲି

            ସେଇ ପରିଚିତ ସୁଦୂର ଭୂଇଁ

ଦେଖିଲି ସବୁତ ସବୁଠି ରହିଚି

            କାହାଲାଗି ଏତେ ପାଗଳ ମୁହିଁ ?

 

ଜୀବନର ଏଯେ ମଧୁ ଦବା ନବା

            ଜନମେ ଜନମେ ହୁଏ କି ଭୁଲି ?

ଯେତେ ଭରି ଦେଲେ ପରାଣ ପାତ୍ର

            ଉଠେନା ଉଠେନା ଉଠେନା ପୂରି !

ମାସ ପୂରିଯାଏ ଦିନ ପୂରିଯାଏ

            ଜୀବନ ବି ଯାଏ ନୀରବେ ପୂରି,

ଜୀବନରୁ ବଳି କିବା ସେ ମାଧୁରୀ

            ଯେତେ ମିଳେ ସେତେ ହୋଇବ ଝୁରି !

 

କା’ ଲାଗି ଏତେ ଯେ ମୋହନ ବାସନା

            ଆକାଶ ପରି କି ବିରାଟ ସତେ !

ଖୋଜୁଥିବି ବସି ଜନମେ ଜନମେ

            ବୁଲୁଥାଏ ମୁହିଁ ଯେବଣ ପଥେ !

 

କୁଟୀରେ କୁଟୀରେ ସଉଧେ ସଉଧେ

            ବିଲ ବନେ ଯେତେ ବୁଲିଲେ ଏକା,

କେତେ ଆଶା ଜାଗେ ଏ ସବୁ ଭିତରେ

            ପାଇବାକୁ ତାର ଟିକକ ଦେଖା !

 

ଯାଆନା ବାସନା ଯାଆନା ଯାଆନା

            ଯାଆନା ଆଜି ଏ ମରମୁ ମରି

ସବୁ ବାସନାରୁ କି ମଧୁ ବାସନା

            ପାରିଅଛି ମୋରେ ପାଗଳ କରି ।

 

ବହୁଦିନ ପରେ ଯେବେ ମୁଁ ଚାଲିଲି

            ସେଇ ପରିଚିତ ସୁଦୂର ଭୂଇଁ

ଦେଖିଲି ସବୁତ ସବୁଠି ରହିଚି

            କାହାଲାଗି ଏତେ ପାଗଳ ମୁହିଁ ?

 

ବହୁଦିନ ପରେ ଯେବେ ମୁଁ ବୁଲିଲି

            ସେଇ ପରିଚିତ ସୁଦୂର ଭୂଇଁ

ଫେରି ମୁଁ ଆସିଲି, ଆସିଲି କି ଫେରି ?

            କିଏ ଯାଏ ମୋରେ ନିବିଡ଼େ ଛୁଇଁ ?

 

ଯେତେ ଫେରି ଆସେ, ସେତେ ପାଶେ ପାଶେ

            କିଏ ଛୁଇଁଯାଏ କିଭଳି ସତେ ?

ସେଇ ବାଟଘାଟ, ସେଇ ନଈ ନାଳ,

            ତୁଲେ କିଏ ଧରି ରଖିଛି ମତେ !

 

ଫେରି ମୁଁ ଆସିଲି, ଆସିଲି କି ଫେରି ?

            କି ଲାଗି ଫେରିବି କାହାର ଲାଗି ?

ମୁଁ ଯାହା ମାଗିଚି ପରାଣ ମାଗୁଣୀ

            କାହା ବୁକୁ ତଳେ ଉଠିଚି ଜାଗି ?

ଫେରି ମୁଁ ଆସିଲି, କା ତୁଲେ ଆସିଲି,

            କା ତୁଲେ ହେଲି ମୁଁ ପରାଣ କଥା,

କାହାଲାଗି ମୁହିଁ ଯାଇଥିଲି ଚାଲି

            ବୁଝିଲା ମୋର କେ ଜୀବନ ବ୍ୟଥା !

 

କିଏ ସେ ଶୁଣିଲା, କିଏ ସେ ବୁଝିଲା,

            ନିଜର କରିକେ’ ଡାକିଲା ମତେ ?

କା’ ଲାଗି ଯାଇ ମୁଁ କା’ ଲାଗି ଫେରିଲି,

            ଭେଟିଲି ବା କାରେ ସେ କେଉଁ ପଥେ !

 

କାହା ହାତେ ଦେଲି କି ଶିରୀ ବିଭବ

            କା’ ଓଠେ ଦେଖିଲି କି ମଧୁହାସ

ଛାଡ଼ି ଆସିଲା କେ’ ମତେ କେତେ ଦୂରେ

            ପୁରିଲା କି ମୋର ପରାଣ ଆଶ ?

 

ବହୁ ଦିନ ପରେ ଯେବେ ମୁଁ ବୁଲିଲି,

            ସେଇ ପରିଚିତ ସୁଦୂର ଭୂଇଁ

ଫେରି ମୁଁ ଆସିଲି; ଆସିଲି କି ଫେରି ?

            କିଏ ଗଲା ମୋରେ ନିବିଡ଼େ ଛୁଇଁ !!

------------------------------------------------------------

 

ଯୁଗଳ-ଯାତ୍ରୀ

ବହୁବାଟ ତୁମେ ମୋ ସାଥେ ଆସିଲ ଚାଲି !

ଆଉ କେତେ ବାଟ ଆସିବ କହ ଗୋ କହ !

କେତେ ଯେ କଣ୍ଟା ଖୂଞ୍ଚ ଚରଣେ ଲାଗି,

ଆଉ ଚାଲିବାକୁ ଲାଗିବଣି ଦୁର୍ବହ !!

 

ଚାଲିଅଛ ତୁମେ ଚାଲୁଅଛ, ଚାଲୁଅଛ,

ବିବ୍ରତ ନୋହି କ୍ଲାନ୍ତ ନିମିଷେ ନୋହି,

ଝୁଣ୍ଟିଚ କେତେ ପଡ଼ିବି ଯାଇଚ କେତେ,

ତଥାପି ଚାଲିଚ କିବା ଉଦ୍‌ବେଗ ବୋହି !!

 

ଦିନେ ତ କହିନ ଅଧର ଶୁଖାଇ ମତେ,

‘‘ପାରିବିନି ଚାଲି ଏଇ ଦୁର୍ଗମ ପଥେ,

ଥକି ପଡ଼ିଲିଣି ପାଦ ମୋର ଚଳୁନାହିଁ;

କି ଶିରୀ ପାଇଲି ଏତେ ଚାଲି ଚାଲି ସତେ ।’’

 

ଉପରୁ ଛିଡ଼ୁଛି ନିଆଁ - ଶର ପରି ଖରା,

ତଳେ ଖାଲି ବାଲି ଦିଗ୍‌ବଳୟର ଯାଏ,

ଟିକିଏ କେଉଁଠି ଆଶ୍ରୟ ନେବା ପାଇଁ

ଗଛ ପତ୍ର ତ ନାଇଁ ହେଲେ ଠାଏ ଠାଏ !!

 

ତଥାପି ଚାଲିଚ ହାତ ଗୋଟି ମୋର ଧରି

ତଥାପି ହସୁଛ ଅନ୍ତରଭରା ହାସ,

ତଥାପି କହୁଚ ଅମୃତ ଭରା କଥା,

ଭୁଲି ନିମିଷକେ ସକଳ ଦୁଃଖ ପ୍ରାସ !

 

ପଡ଼ିଗଲେ ମୁହିଁ ଉଠାଇ ଦେଉତ ମତେ,

ଝାଉଁଳି ପଡ଼ିଲେ ବୈଶାଖୀ ଖରା ତାପେ,

ପଣତ ତଳେ ଆଢ଼ୁଆଳ କରି ରଖ,

ଅଥଚ ମରୁରେ ସିଝି ସିଝି ଚାଲି ଆପେ !!

 

ମୋହ ଭଳି ଜଣେ ଅଧମ ଯାତ୍ରୀ ତୁଲେ,

କାହିଁକି ଚାଲିଚ ଦୁର୍ମଦ ଆଶା ରଖି ?

କି ଶୀରୀ ବିଭବ ପାଇବ କେଉଁଠି ଅବା ?

ଦୁଃଖ ଯାତନା ସହି ସହି ଚାଲ ସଖି !!

 

ଚାଲି ଚାଲି ମୁହିଁ ଅବଶ ଗଲେ ଗୋ ହୋଇ;

ଦୁଇ ଟୋପା ଲୁହ ନୟନୁ ବୋହିଗଲେ,

ଆପଣାର କରି ବକ୍ଷେ ଧରିଚ ଯାକି,

ପୋଛିଦେଇ ଲୁହ ଆପଣା କାନ୍ତ କରେ !

 

କେତେ ଦୁର ଯିବ ଏଇପରି ଚାଲି ଚାଲି;

କି ମହା ଧିଆନ ପରାଣେ ରଖିଚ ଭରି !

ତୁମରେ ଚାହିଁ ମୁଁ ଜୀବନେ ବିକଳ ପାଏ,

କାହିଁକି ଚାଲିଚ ଏତେ ପରିଶ୍ରମ କରି !

 

ସୀମାହୀନ ମହାବ୍ୟର୍ଥତା ପାରାବାରେ,

କେତେବାର ତୁମେ ଜୀବନେ ଯାଇଚ ବୁଡ଼ି,

ତଥାପି ଚାଲିଚ ମୋର ପଛେ ପଛେ ତମେ,

କିବା ଆକାଂକ୍ଷା ପୂରିନି ଯିବ ବା ପୂରି !

 

ମୁହିଁ ଯେ ଡାଳକୁ ବଡ଼ାଇ ଦେଉଚି ହାତ,

ଛିଡ଼ି ସେ ପଡ଼ୁଚି ଟିକିଏ ଗୋ’ ଧରୁ ଧରୁ,

ପାଣି ଚୋଳେ କାହିଁ ପିଇବା ପାଇଁ କି ଗଲେ,

ନଈ ବା ତଡ଼ାଗ ପାଲଟି ଉଠୁଚି ମରୁ ।

 

ଅପଦାର୍ଥ ମୁଁ ଯାତ୍ରୀ ଗୋଟିଏ ଚାଲେ,

ତୁମେ ମୋର ତୁଲେ କାହିଁକି ହୋଇଛ ସାଥୀ ?

କିଛିତ ପାଇନ ପାଇତ ପାରିବ ନାହିଁ,

ଚାହୁଁ ଚାହୁଁ ମାଡ଼ି ଆସିବ ଗୋ କଳାରାତି ।

 

ବେଳ ବୁଡ଼ିନାଇଁ ବେଳ ବୁଡ଼ି ବୁଡ଼ି ଆସେ,

ଯାଉଚି ତପନ ଅସ୍ତ ଶିଖରୀ ଶିଖେ,

ଚାରିଆଡ଼ ପୁଣି ହୋଇଯିବ ଶୂନଶାନ,

ତଥାପି ଚାଲିଛ ହସି ହସି ଏଇ ଦିଗେ ।

 

ମନରୁ ତୁମର ପିପାସା ଯାଇନି ମରି,

ଭାଙ୍ଗି ପଡ଼ିନି ବୁକୁର ସାହସ ବଳ,

ଓଠରୁ ନିଭିନି ଉତ୍ସାହ ଭରା ହସ,

ନୟନୁ ଝରିନି ଟୋପିଏ ଲୋତକ ଜଳ !

 

ଏତେ ମରୁପଥ ଦୁର୍ଗମ ଦୁସ୍ତର,

ପାରି ହୋଇ ତୁମେ ଆସିଲଣି କେତେ ବାଟ

ଏଇ ପରି ତୁମେ ଯୋଜନ ଯୋଜନ ଚାଲି-

ପାରିବା ପାଇଁକି ପସାରି ଦେଉଚ ହାତ ।

 

ଇଏତ ତୁମର କଅମ ସାଧନା ନୁହେଁ,

ଦେଖି ଦେଖି ମୋର ଆଖି ଖୋସି ହୋଇଯାଏ

ସେ କେଉଁ ଲକ୍ଷ୍ୟ କେଉଁଠି ରହିଚି କାହିଁ

କେବେ ସେ ପୂରିବ କେତେ ବାଟ ଗଲେ ହାଏ ।।

 

ଯେତିକି ଚାଲୁଚ ଆଗକୁ ଆଗକୁ ତମେ

ସେତିକି ପୁଲକି ଉଠେ ତମ ଦେହ ମନ,

ସେତିକି ତୁମେ ଗୋ କିବା ପାଗଳିନୀ ପ୍ରାଏ

ମୋ ତୁଲେ ରଖୁଛ ନିବିଡ଼ ଏ ବନ୍ଧନ !!

 

କିଏ କେତେ ସୁଖ ସମ୍ପଦେ ରହିନାହିଁ ।

ତୁମେ ତ ତହିଁରୁ ପାଇନାହିଁ କଣିକାଏ,

ସେ ସବୁରେ ଚାହିଁ ନ ଚାହିଁଲା ପରି ତମେ,

ମୋ ପଥେ ପଥିକ ହୋଇଛ କି ଅଭିପ୍ରାୟେ ?

 

କାହିଁକି ତୁମେ ଗୋ ବରିନେଲ ଏଇବାଟ ?

କଣ୍ଟକ ଛଡ଼ା ସମ୍ପଦ କିଛି ନାଇଁ,

ଏଇ କଣ୍ଟକେ ବିଦ୍ଧ ହୋଇ ଗୋ ତୁମେ,

ହସିତ ପାରୁଚ ଚିରଦିନ ମୋହପାଇଁ !!

 

ଚାଲିଚ ଚାଲିଚ ଆହୁରି ଚାଲିଚ ତମେ

ଯେତେ ଦିନ ମୁହିଁ ଚାଲିଥିବି ଏଇ ପଥେ,

ଅଗ୍ନିଭରା ଏ ପ୍ରତିଜ୍ଞା ତବ ସଖି ।

ପ୍ରତି ପଦପାତେ ସ୍ତମ୍ଭିତ କରେ ମତେ !!

 

ତୁମେ ଅବା ମୁହିଁ ଯେ’ଦିନ ଏପଥ ପରେ

ପାଦ ଚାଳି ଆଉ ଚାଲି ଗୋ ପାରିବା ନାଇଁ,

ତୁମେ ମତେ ଅବା ମୁଁ ତୁମରେ ଥିବି ଚାହିଁ

ସେଦିନରୁ ବଳି ଦୁର୍ଦ୍ଦିନ ଆଉ କାଇଁ ?

---------------------------------------

 

ଅସରନ୍ତି

ତା’ ଓଠର ହସଟିକୁ ତା ବୁକୁର ଅମୃତ ସେନେହ

ତା’ ତହୁଁ କି ପରମ ସମ୍ବଳ ଏ କବିର ଆଉ ଅଛି କହ ?

ଧରଣୀରେ ସେଇଟିକ ମତେ ନିକି ରଖିଚି ବଞ୍ଚାଇ ?

କେତେ ଆସେ ଦୈନ୍ୟ ହାହାକାର କିଛି ହେଲେ ତିଳେ ଲାଗେ ନାଇଁ !

 

ଏ ଧରାର ପ୍ରତି ରେଣୁ ତଳେ ପାରିଚି ମୁଁ ରଚି ସ୍ୱପ୍ନପୁରୀ

ବେଦନାରୁ ପାଇଚି ମୁଁ ଆହୁରି ସନାତନ ଆନନ୍ଦର ଝରି !

ତାରି ଲାଗି ପାଇଚି ନିୟତ ବୈଚିତ୍ୟର ଯାଦୁକରୀ ମାୟା

ତାରି ଲାଗି ବୀଣାତାନ ମୋର ଚିରଦିନ ଫିଟିଅଛି ଯାହା !

 

ଯେ’ ଦିନ ସେ ଓଠ ହସଟିକ, ପଡ଼ିଯିବ ମଳିନ ନିସ୍‌ପ୍ରଭ

ଯେ’ଦିନ ସେ ବୁକୁର ସେନେହ ପାଇବା ମୋ ହେବନି ସମ୍ଭବ;

ଯେ’ଦିନ ମୁଁ ସାରା ଧରଣୀରେ ଏ ପାଖରୁ ଆରପାଖ ଧରି,

ଖୋଜୁଥିବି, କାହିଁ ମୋ ସମ୍ପଦ, କେଉଁଠି ବା ଥିବ ଲୁଚିକରି ।

 

ନ ପାଇ ମୁଁ ଖୋଜୁଥିବି ଖାଲି, ହୋଇ କିବା ଉନ୍ମନ ପାଗଳ,

ଶ୍ରାବଣର ବାରିଧାରା ପରି ନେତ୍ର ଯୁଗ ଝୁରୁଥିବ ଜଳ !

ପ୍ରତି ଲୁହ ବିନ୍ଦୁ ତଳୁ ମୋର ପ୍ରଣୟର ଶତ ସ୍ମୃତି ଧରି,

ମୋ ବୁକୁର ଅନନ୍ତ କବିତା, ଆପେ ଆପେ ପଢୁଥିବ ଝରି ।

 

ଏ ଆକାଶ ଏ ପୃଥିବୀ ଧରି ଚତୁର୍ଦ୍ଦିଗେ କଲେ ଦୃଷ୍ଟିପାତ,

ଦେଖୁଥିବି ତା’ ପାଇଁ କବିତା ସକଳରୁ ହେଉଛି ସଂଜାତ

ଜୀବନର ସମସ୍ତ ପିପାସା ସୀମାହୀନ ପରିତୃପ୍ତ ପାଇ

ଗାଉଥିବ ଚିରଦିନ ଗୀତ, ଶେଷ ତାର ହେଉଥିବ ନାଇଁ !

----------------------------------------------

 

ବିଶ୍ୱାସ

ଜୀବନର ଅନନ୍ତ ସେନେହ

ଅଯାଚିତେ ଦେଇଚି ମୁଁ ଯାରେ,

ଯାହା ପାଇଁ ନିଖିଳ ଧରିତ୍ରୀ

ଆନନ୍ଦର ଲୀଳା ଭୂଇଁ ଭାଳେ ।

 

ଯାର ପ୍ରତି ସୁଖ ଦୁଃଖ କଥା

ଜାଗେ ମୋର ହୃଦ ତନ୍ତ୍ରୀତାରେ

ଯାହା ପାଇଁ ଜୀବନ ସର୍ବସ୍ୱ

ଅନାୟାସେ ବଳିଦେଇ ପାରେ !

 

ଯାର ପ୍ରତି ହାଡ଼ମାଂସ ତଳେ

ବହେ ମୋର ଅନ୍ତର ଶୋଣିତ

ଯାରେ ମୁହିଁ ଅନ୍ତରଙ୍ଗ କରି

ଗାଏ ନିତି ଅନନ୍ତ ସଂଗୀତ !

 

ଯାହା ପାଶେ ଶତ ଦୁଃଖ ଝଞ୍ଜା-

ଭୁଲି ଯାଏ, ମୋରେ ନାଇଁ ଲାଗେ,

ପ୍ରାଣବନ୍ତ କବିତା ପରି ଯେ-

ନିତି ମୋର ବୁକୁ ତଳେ ଜାଗେ !

 

ଏ ଧରଣୀ ସିନ୍ଧୁ ବଳୟିତ-

ଛାଡ଼ି ଯେବେ ଯିବ ଆର ପାରେ,

କେମନ୍ତେ ମୁଁ ଭୁଲିବି ତାହାରେ

ବହୁଥର ମନେ ମନେ ଭାଳେ !

 

ମୋର ବେନି ନୟନେ ତାହାର

ଦିଶୁଥିବ ସେଇ ମୁଗ୍‌ଧ ରୂପ

ତା’ର ସ୍ମୃତି ବିପୁଳ ରୋମାଞ୍ଚ

ସୃଜୁଥିବ ମୋର ଲୋମ କୂପ ।

 

ମୋ ପାଇଁ ଯେ ସୀମାହୀନ ମାଟି

ଗଢ଼ିଅଛି ତାରେ ସୌମ୍ୟ କରି,

ସେ ମାଟିରେ ବାର ବାର ଶିରେ

ଲଗାଇବି ଗଉରବ ଭରି !

 

ତା’ ଚାହାଣୀ ତା’ର ମୁଖ ବାଣୀ

ତା’ ଅନ୍ତର ସରଗ ଦୁର୍ଲ୍ଲଭ,

ସକଳରେ ନମସ୍କାର କରି

ଛାଡ଼ିବଇଁ ଏ ନିଖିଳ ଭବ !

 

ଧରଣୀର ଯେଉଁପାରେ ଯାଇଁ

ରଚିବଇଁ କୁଟୀର ମୋହରି,

ମୋ ଅନ୍ତରେ ସ୍ୱପ୍ନେ ଜାଗରଣେ

ଉଠୁଥିବ ସେ ବାଳା ସଞ୍ଚରି !

 

ସମୟର ମହା ବ୍ୟବଧାନ-

ଲଙ୍ଘି ଦିନେ ପୁଣି ତାହା ସହ,

କେଉଁ ଶୁଭ ନିମେଷେ ଯେ ଦିନେ

ପରସ୍ପରେ ହେବ ପରିଚୟ ।

 

ଯାଉ ଯେତେ ଜନ୍ମାନ୍ତର ବିତି

ତା’ର ମୋର ଅବିଚ୍ଛନ୍ନ ରହି,

ମହା ବିଶ୍ୱେ କରୁଥିବୁ ଲୀଳା

ଏ ବିଶ୍ୱାସ ଅଛି ମନେ ରହି !

-------------------------

 

କି ଦେବି ପ୍ରତିଦାନ ?

ବାଜେ ଯାହାର ପ୍ରାଣେ ମୋର ଗଭୀର ବେଦନା ବ୍ୟଥା,

ମୋ ଲାଗି ହୁଏ ଆର୍ଦ୍ର ଯା’ର ଯୁଗଳ ଆଖିପତା,

ମୋରେ ଦେବାକୁ ଶାନ୍ତି ଯିଏ ନିୟତ ଚେଷ୍ଟା କରେ,

ମୋରେ ଯିଏ ହୃଦୟ ଭରି ସରାଗେ ଦେଖିପାରେ,

ତାହାକୁ ଦେବି ଧରାରେ ଅବା କି ମହା ପ୍ରତିଦାନ ?

ମୋ ଆତ୍ମର ଆତ୍ମା ସେ ଯେ ମୋହରି ପ୍ରାଣର ପ୍ରାଣ !

 

ମୋ ପାଇଁ ଯିଏ ଦିବସ ରାତି ସଂଗ୍ରାମରେ ଲଢ଼ି,

ରକ୍ତାକ୍ତ ଦେହେ ଓ ମନେ ରହିଚି କାହିଁ ପଡ଼ି,

ସକଳ ଦୁଃଖ ଅଭାବ ଜାଳା ମୋ ପାଇଁ ଖାଲି ସହି,

ହୃଦୟେ ଯିଏ ଆନନ୍ଦ ପାଏ ନିୟତ ବଞ୍ଚି ରହି,

ତାହାକୁ ଦେବି ଧରାରେ ଅବା କି ମହା ପ୍ରତିଦାନ ?

ମୋ ଆତ୍ମାର ଆତ୍ମା ସେ’ ଯେ ମୋହରି ପ୍ରାଣର ପ୍ରାଣ ।

 

ମୋ ପାଇଁ ଯିଏ ଏ ମାଟି ପରେ ନୀରବେ ବୁଜି ଆଖି,

ଅଜଣା କେଉଁ ମୂଲକେ ଯିବା ପାଇଁ କି ରହେ ଟାକି,

ମୋହରି ପାଇଁ ସୋହାଗ ମନେ ମରଣ ଶଯ୍ୟା ପରେ

ଗର୍ବ ଆଉ ଗଉରବ ଯେ ଅନୁଭବ କରେ !

ତାହାକୁ ଦେବି ଧରାରେ ଅବା କି ମହା ପ୍ରତିଦାନ ?

ମୋ ଆତ୍ମାର ଆତ୍ମା ସେ’ ଯେ ମୋହରି ପ୍ରାଣର ପ୍ରାଣ !

----------------------------------------

 

 

 

ପାଷାଣର ପାଦ ତଳେ

ଜୀବନେ ତୁମ ତୁଲେ ହେବ କି ନାଇଁ ଦେଖା ଜାଣେନା

ତଥାପି ତୁମ ସ୍ମୃତି ପରାଣେ ନାଚି ଉଠେ ମୋହରି,

ଜୀବନେ ତୁମ ତୁଲେ ଆହୁରି ବିହରିବା ପାଇଁକି

ବାସନା ଜାଗି ଉଠେ ଗୋଟିକି ଗୋଟି କିବା ଲହରୀ,

ନିଃସ୍ୱ କବି ମୁହିଁ ରହିଚି ଏତେ ଦୂରେ ସତରେ

ପରାଣୁ ପୋଛି ନାଇଁ, ପାରିବି ନାଇଁ ପୋଛି ତୁମରେ,

ଦେଇଚ ମୋରେ ଯେଉଁ ସେନେହ ସମ୍ମାନ ଟିକକ,

ସେ ଶିରୀଟିକ ମୁହିଁ ନିଇତି ବେଳେ ବେଳେ ସୁମରେ ।

 

ଜୀବନ ପଥ ପରେ ସେ ଦେଖା ପରିଚୟ ଭିତରେ

ନିଜର ପାଲଟିଚ ଦିନେ ଯେ ଥିଲ ହୋଇ ଇତର,

ନିଜର କରି ଯାରେ ନେଇଚି ଧରଣୀରେ ବରି ମୁଁ

ଫିଙ୍ଗି ପାରିବି କି ? କି ଅବା ଗୋଡ଼ି ମାଟି ପଥର !

ଟିକିଏ ପରିଚୟ ସେନେହ ଦିଆନିଆ ଟିକିଏ,

ଟିକିଏ ଦେଖା ଦେଖି, ଟିକିଏ ଆପଣାର କରିବା,

ବିରାଟ ବିଶ୍ୱର ଯେ କେଉଁ କଣେ ଯେବେ ମିଳଇ,

ଆଉ କି ଶିରୀ ଅବା ଜୀବନେ ବଡ଼ କରି ଲୋଡ଼ିବା ??

 

ମତେ ଯେ ମରେ ରଖି, ଦେଉଚ ଚିଠି ଲେଖି ଦୂରରୁ,

ଆଙ୍କି ମୋ ସ୍ୱରୂପ ସୂକ୍ଷ୍ମ ମନପଟେ ତୁମରି,

ମୋ ଲାଗି କେତେ ଆଶା, ମୋ ଲାଗି କେତେ ଭାଷା ମରମେ,

କ ଦିବା ନିଶିଥିନୀ ସୋହାଗେ ଉଠେ ନାଇଁ ଗୁମରି !

ମୋ ଲାଗି କାନ୍ଦିଛ ମୋ ଲାଗି ହସିଅଛ ଜୀବନେ,

ମୋ ଲାଗି ଦେଖିଅଛ ସପନ ଶତ ଶତ ସୁନାର,

ମୋଲାଗି ତୋଳିଅଛ ସ୍ୱର୍ଣ୍ଣ ପାରିଜାତ ସରଗୁ,

ଗଢ଼ିଛ ଗଉରବେ ମନର ନିଭୃତ ମିନାର !

 

ଏସବୁ ମୋରେ କେତେ ଦିଏନି ଅମୃତ ସୁଦୂରେ

ତୁମରି ବୁକୁତଳେ ବନ୍ଦୀ କରି ମୋତେ ନିୟତେ,

ମୋ ଲାଗି ତୁମେ ଯେବେ ରହିଛି ସୀମାହୀନ ଦୀପନେ;

ମୃତ୍ୟୁ ହେଲେ ମୋର ଦୁଃଖ କରିବିନି କିୟତେ;

ତୁମରି ପାଇଁ ଆସି ତୁମରି ପାଇଁ ଯିବି ଉଭାଇ,

ଏ ଦେହ ମନେ ବୋଳି ତୁମରି ଅମୃତ ପରଶ,

ସେତିକି ମୋରେ ଦିଅ କହେ ମୁଁ ଅହରହ କାହାରେ,

ବିଜୟୀ ଜୀବନରେ ସଇତ ମୋ ସୁନାର କଳସ !!

 

ଟିକକ କଥାରେ କେ ମୋ ପରେ ଗରଜି ଓ ତରଜି

ମୋରେ କେ’ ଦେଉଅଛି ତୀବ୍ର ଅପମାନ ଜୀବନେ,

ଆଖିରୁ ବହୁଅଛି ଶ୍ରବଣ ଧାରା ପରି ଲୋତକ,

କିଏ ତ ଜଣେ ଆସି ଦେଇନି ପୋଛି ସାରା ଭୁବନେ !

ଆର୍ଦ୍ର ଆଖି ଦୁଇ, ଚାହିଁଚି ରହି ମୁହିଁ ଏକାକୀ,

ବହୁତ ବାର ଏଇ ସୁଦୂର ଦେଶେ ଛାଡ଼ି ତୁମରେ,

ସେତିକିବେଳେ କିଆଁ ତୁମରେ ଭାଳିଯାଏଁ ମରରେ

ଶାନ୍ତି ପାଏ ଅବା ବିଜନ ମୋ କୁଟୀର କଣରେ !

 

ଧରାରେ ଏତେ ଏତେ ଛନ୍ତି ବିଷଧର ତମ୍ପ

ଦେଖିଲେ ଦିଶିବେନି ତୁମକୁ କେବେ ଖାଲି ଆଖିରେ,

ତାଙ୍କୁ ଧରି ଏଥି ଚଳିବା ମୁଷ୍କିଲ କଥା ତ,

କଥା କି ଶୁଣିବେ ସେ ନିଜର କରି ଯେତେ ଡାକିଲେ !

ଉଣ୍ଡୁଥିବେ ଓର କରିବେ ହରବର ବୋଲି ସେ,

ଏଭଳି ଲୋକ ହାତେ କିଏ ସେ ଦେଲା ଏଡ଼େ ଆସନ ?

କିଭଳି କଷ୍ଟ ସେ, ମୁଣ୍ଡ ନୁଆଇଣ ଚାଲିବା

ଯେଉଁଠି ଚାଲିଅଛି ନିୟତ ବଜ୍ଜାତି ଶାସନ !

 

ରହି ଏ ଅଠାକାଠି ଭିତରେ ବେଳେ ବେଳେ ବିଚାରେ

ଉଡ଼ି ମୁଁ ଯିବି ହେଲେ ତୁମରି ସେ ମୋହନ ରାଇଜେ,

ଜୀବନ ମଧୁତାନ ଶୁଣିବି କାନପାରି ସୋହାଗେ,

ଯା’ଲାଗି ଉତ୍କଳ ପରାଣ ମନ ଅଛି ରହି ଯେ !

ବିରାଟ ପୃଥିବୀ ଏ ଅସୀମ ଆକାଶ ଏ ଆଗରେ

ଅସୀମ ଲୀଳା ଧରି ନୃତ୍ୟ କରି ଉଠେ ନିୟତେ,

କିଭଳି ହତଭାଗା ଅସାର ନୁହେ ଏଇ ଜୀବନ

ନ ଢଳି ପାରିଲେ ଏ ମୋହନ ସମ୍ପଦେ କିୟତେ !

 

ମୁଁ ଆଉ ତୁମେମାନେ କି ମଧୁ ଉପାଦାନେ ତିଆରି,

ଜଣକୁ ଜଣେ ଚାହିଁ କି ଶୋହେ ଫୁଟି ଉଠେ ହୃଦୟେ !

ପାରିବ ସହି ତମେ ଏ ମରୁଅଙ୍ଗନେ କିଏ ସେ

ହତ୍ୟା କରେ ମୋରେ ନିଇତି କାଟି କାଟି ନିଦୟେ !

ସେଭଳି ହୃଦ କାହିଁ ମୋ ପାଇଁ ଯିବ କହି ପଦିଏ

ସଭିଏ ପାଷାଣ ତ ପାଷାଣ ପାଶେ କାହିଁ ମମତା ?

ପାଷାଣ ଚାହେ ଖାଲି, ତା’ ପାଖେ ଥିବେ ପଡ଼ି ସଭିଏ

ବରଣ କରି କିବା ଅସୀମ ଉତ୍କଟ ଦୀନତା !

-------------------------------------

 

ବିପ୍ଳବ

ମୁଁ ଯେ ବିପ୍ଳବ ଆସିଚି ଜନ୍ମ ଲଭି,

ପତିତ ପାତିତ ନିର୍ଯ୍ୟାତିତର ଦୈନ୍ୟ ଅଭାବ ତଳୁ-

ଶତ ଶତ ଶତ ଆଗ୍ନେୟଗିରି ଅଗ୍ନିର ଶିଖା ସମ,

ଧରି ସୀମାହୀନ ତେଜ ବଳ ବିକ୍ରମ !

ଗରମ ରକ୍ତ ଶିରାରେ ପ୍ରଳୟ ବାତ୍ୟାପରି-

ଅଥୟ ଆକୁଳ ଉନ୍ମନ କରେ ମୋତେ,

ମୁଁ ଯେ ଦୁର୍ଜୟ ! ମୁଁ ଯେ ନିର୍ଭୟ !

ମୁଁ ଯେ ମୁକ୍ତିର ଅଗ୍ରଣୀ !

ନିଜେ ମୁଁ ନିଜର ନିର୍ଭର, ମୁହିଁ ଚାଲିଚି ମୋ ମନୋରଥେ !

ନୀଳ ନଭ ଚିରି ପତାକା ମୋହର ଉଡ଼୍‌ଡ଼ୀନ କାଳ କାଳ,

କେହି ନୁଆଇଁ ପାରିବ ନାଇଁ ନିମିଷକ ପାଇଁ

ସବୁ ଶକ୍ତିର ନିର୍ଯାସ ସେଇ ଉତ୍‌ଥିତ ମୁଁ ଯେ

ବିରାଟ ଧରଣୀ ପରେ,

ମୋର ପତନ ବା ଅଛି କାହିଁ ?

 

ବିପ୍ଲବ ମୁହିଁ, ମୋତେ ଦେଖି କିଏ ଯାଉଅଛ ଯେବେ ଥରି

ବୁଝିବାକୁ ହବ ତୁମେ ଅନୀତିର ବିରାଟ ଦୁର୍ଗ-

ତୁମେ ଏ ମାଟିର ନିର୍ମମ ସୟତାନ !

ଜାଣିଅଛ ତୁମେ ଖସି ତ ପଡ଼ିବ ତଳେ,

କରିବି ଯେବେ ମୁଁ ବାରେ ଶର ସନ୍ଧାନ !

ନିଜକୁ ନିଜେ ହିଁ ଧରି ରଖିବାର ବଳ

ଆସିବ କାହୁଁରେ ସୟତାନ ହିଆ ତଳେ ?

ସେ ତ ଡରିଯିବ ସେ ତ ଥରିଯିବ ମରିଯିବ କଲବଲେ !

ସେ ଏକା ନିଜକୁ ପାରିବ ପାରିବ ରଖି,

ସୁନ୍ଦର କରି, ନିର୍ମଳ କରି, ଉନ୍ନତ କରି,

ହିମାନୀ-ଶୁଭ୍ର ହିମାଚଳ ମଥା ସମ,

ମଣିଷ ମାଟିକୁ ଶୋଣିତର ପ୍ରତିବିନ୍ଦୁ ଦେଇ ଯେ

ଭଲ ପାଏ ଅବିରଳେ

ନିମିଷକ ପାଇଁ ସ୍ୱପ୍ନରେ ହେଲେ ନୋହିବାର ନିର୍ମମ ।

 

ସମାଜର ଶତପୀଡ଼ିତ ଆତ୍ମା

ମୋ ଭିତରେ ଦେଇ ମାଗଇ ତାହାର ଜୀବନର ଉପଭୋଗ

ମୁଁ ରଚଇ ତାର ସମସ୍ତ ଉପଯୋଗ !

 

ବିଦୀର୍ଣ୍ଣ ହୁଏ ପୃଥିବୀର ବୁକୁ ଯେବେ,

ଝର ଝର ଝର ଝରି ପଡ଼େ ତାର ଉଷ୍ମ ଶୋଣିତ ଧାର

ନିଦାରୁଣ କ୍ଷତ ନିଭାଇବା ଲାଗି ତା’ର

ହାରମାନେ ଯେବେ ବଳିଷ୍ଠ ଉପଚାର,

ଅତ୍ୟାଚାରର ଅସ୍ତ୍ରରେ ଯେବେ ଆକାଶ ଅବନୀ

କମ୍ପାଇ ଥର ଥର,

ଚଉଦିଗେ ଖାଲି ଶୁଭୁଥାଏ ଯେବେ

ଆର୍ତ୍ତ ବିକଳ ସ୍ୱର,

ସେତେବେଳେ ମୁହିଁ ବିପ୍ଳବ ଆସେ

ଧ୍ୱଂସ ପୂଜାରୀ କୋଟି ରୁଦ୍ରର ଚଣ୍ଡ ମୂରତି ଧରି,

ବଜାଇ ବଜାଇ ଡମ୍ୱରୁ ମୋର

ତତାଇ ତତାଇ ନିଖିଳ ବସୁନ୍ଧରୀ ।

ଜଳାଇ ମୋହର ଆଗ୍ନେୟ ଶିଖା

ଶୋଷକ ଶାସକ ସବୁ ଅହମିକା-

ପୋଡ଼ି ଜାଳି ମୁହିଁ କରଇ ଭସ୍ମ,

ସେଇ ଭସ୍ମାବଶେଷ ପରେ

ରଚିଯାଏ ମୋର ସପନର ଅଟ୍ଟାଳି,

ବିପ୍ଳବ ମୁଁ ଯେ ବନ୍ଧୁ ଧରାର

ସ୍ତରେ ସ୍ତରେ ତାର ସାମ୍ୟ ସୋହାଗ

କୋଟି ବିକ୍ରମେ ଢାଳି !!!

ବିପ୍ଳବ ମୁଁ ଯେ ମୁମୂର୍ଷୁ ମାଟି ରୂପ ଦାନୀ ପ୍ରାଣ ଦାନୀ !

ମୋର ତୂଳିକାରେ ଚିତ୍ରି ଯାଏ ମୁଁ

ଚଉଦିଗ ଖାଲି ଜୀବନର ଶୋହା

ଅଯାଚିତେ ଢାଳି ଶତଲାବଣ୍ୟ ଠାଣି !

ଶୁଷ୍କ ମଳିନ ଓଠେ ବୋଳି ଦିଏ ଜବାକୁସୁମର ହାସ !

ଭୀରୁ ଦୁର୍ବଳ ଶୋଣିତେ ଶୋଣିତେ

ଭରିଦିଏ ମୁହିଁ ବିଦ୍ୟୁତ୍‌ମାୟା-

ଅପରୂପ ପରକାଶ ।

ମଡ଼ା ମୁର୍ଦ୍ଦାର ଧମନୀରେ ଆଣେ ଜୀବନର ସଞ୍ଚାର !

ଶୃଙ୍ଖଳିତର ଶୃଙ୍ଖଳ କାଟି,

ମୁକ୍ତ ଗଗନେ ଛାଡ଼ିଦିଏ ଢାଳି ଜୀବନର ଅଧିକାର !

ଦୀନ ପରାଜିତ ଶୀର୍ଣ୍ଣ କପାଳେ

ଲଗାଇ ଦିଏ ମୁଁ ଜୟସୁନ୍ଦୂର ଶିରୀ,

ଜୀବନର ସବୁ ଉପଭୋଗ ଦେଇ

ହସାଇ ଖେଳାଇ ନଚାଏ ବସୁନ୍ଧରୀ ।

ରୁଧିରାପ୍ଳୁତ ହୋଇ ମୁଁ ଧରାରେ ଚାଲିଥାଏ ଅବିରାମ;

କାଟେ ନାଇଁ ମତେ ବନ୍ଧୁକ ଡିହ,

ବାଧେନାଇଁ ମତେ ତୋପ କମାଣର ଗୁଳିଗୋଳା ବର୍ଷଣ ।

ସୀମାହୀନ କୋଟି ଜ୍ୱାଳା ଯନ୍ତ୍ରଣା ମଜ୍ଜା ଭିତରୁ

ଜନ୍ମ ଯେ ଅଛି ନେଇ,

ପୃଥିବୀରେ ନାଇଁ ଏଭଳି ଅସ୍ତ୍ର

ଦେବ ତାରେ ଧମକେଇ ।

ସତ୍ୟ ଲାଗି ମୁଁ, ମୁକ୍ତି ଲାଗି ମୁଁ, ଜାଗ୍ରତ କାଳକାଳ

ମୁଁ ଚାହେ ଧରାରେ ଦେଖିବିନି କାର

ବିକଳ ଅଶ୍ରୁଧାର !

----------------------------------------------------------------------------------------

ହେ ମୋର ଉନ୍ମୁକ୍ତ ଜାତି !

ଗଣତନ୍ତ୍ରର ସୂତ୍ର ଧରି ଭାରତ ଉବ୍ଦୁଦ୍ଧ ଆଜି କେତେ ବର୍ଷ ପରେ

ସାଧନାର ହୋମାନଳ ଭିତରୁ ଜନ୍ମିଛି ଯେହ୍ନେ ଏ ଧରତ୍ରୀ ତଳେ;

ଶତ ଶତ ଶହୀଦର ରକତ ରଞ୍ଜିତ ପଥେ ଆସିନି କି ଚାଲି ?

କେତେ ଗୁଳି ବନ୍ଧୁକର ଆମାନୁଷ ସଂଘାତେ ସେ ହୋଇନାଇଁ ଘାରି ?

 

ଛାତିକୁ ପ୍ରସ୍ତରୁଁ ବଳି ଶକ୍ତ କରି ସହିନାଇଁ କେତେ ଅତ୍ୟାଚାର ?

ଅଭାବ ଦୈନ୍ୟର କୋଳେ ଦେଖିନାଇଁ କି ନୈରାଶ୍ୟ ସ୍ୱପ୍ନ ବାରବାର ?

ଦାବାନଳ ପରି ସେହୁ ଜ୍ୱଳନ୍ତ ଅଗ୍ନିରେ କେତେ ଦେଇନାଇଁ ଝାସ !

ରହିନାଇଁ କେତେକାଳ କାରାର ଗହ୍ୱରେ ରୁନ୍ଧି ଜୀବନ ନିଃଶ୍ୱାସ !

 

ଫୁଟିବାକୁ ଚେଷ୍ଟା କରି କେତେବାର ବୁଡ଼ିନାଇଁ ହତାଶ ତିମିରେ !

ଛୁଟିବାକୁ ଗଲାବେଳେ ଭଗ୍ନଜାନୁ ହୋଇ ନାଇଁ କେତେ ଧରଣୀରେ !

ତଥାପି ଚାଲିଚି ତା’ର ଲକ୍ଷ୍ୟରଖି ହିମ ଶୁଭ୍ର ହିମାଚଳ ସମ

ଫୁଟିଚି ଫୁଟିଚି ଶେଷେ ତା’ ବିରାଟ ସାଧନାର ସେ ସ୍ୱର୍ଣ୍ଣ ସପନ ।

 

ସାମ୍ରାଜ୍ୟବାଦର ସେ ଯେ ସୁବର୍ଣ୍ଣ ମୁକୁଟ ମଜି ଧୂଳି ବିଲୁଣ୍ଠିତ,

ଥରିଅଛି ସିଂହାସନ, ରାଜଦଣ୍ଡ ଆପେ ଆପେ ତଳେ ନିପତିତ;

କେଉଁ ସୁପ୍ତ ସମୁଦ୍ରର ଉତ୍ତାଳ ତରଙ୍ଗ ପରି ସତ୍ୟ ଯେବେ ଉଠେ,

ଅହିଂସା ବାତ୍ୟାରେ ନାଚି କେ ତା’ରେ ପାରିବ ରୋଧି କେଉଁ ଅସ୍ତ୍ରକୂଟେ ?

 

ପୃଥିବୀରେ କେଉଁ ଶକ୍ତି କେଉଁ ବଳ ଆଣ୍ଟ ଧରି ପାରିବ ବା ରହି ।

ବିଶାଳ ସାମ୍ରାଜ୍ୟ ଥାଉ, ଥାଉ କୋଟି ଧନମାନ ଚତୁର୍ଦ୍ଦିଗେ ବହି ।

ଥାଉ ଶତ ବନ୍ଧୁକ ବୋମା ଥାଉ ଶତ ମାରଣାସ୍ତ୍ର ଅସ୍ତ୍ରାଗାର ଭରି,

ଥାଉ ଶତ ସୈନ୍ୟବଳ, ସକଳରୁ ଶକ୍ତି ସବୁ ପଡ଼ିଯିବ ଝଡ଼ି-

 

ମହାସତ୍ୟ ଶକ୍ତି ଆଗେ, ପିଶାଚର ଲେଲିହାନ ଜିହ୍ୱା ଯିବ ଛିଡ଼ି,

ସତ୍ୟ ଏକା ବଞ୍ଚିପାରେ ନଖ ଅଗ୍ରେ ସବୁ ବାଧା ନିମିଷକେ ଚିରି;

ମୁକ୍ତିର କନକ ପଥ ରଚିପାରେ ସତ୍ୟ ଦଳି ପିଶାଚ ଭ୍ରୂକୁଟୀ

ମରିଚି ସାମ୍ରାଜ୍ୟବାଦ ସତ୍ୟର ଭାରତ ଆଜି ଉଠିଅଛି ଫୁଟି ।

 

ଛିନ୍ନ କନ୍ଥାଧାରୀ ଶତ ଶତ ନିରନ୍ନର ପ୍ରତି ଅଶ୍ରୁ ତଳେ ରହି

ସତ୍ୟ କେତେ ଦେଇ ନାଇଁ ଡାକ ? ଦରିଦ୍ର କୃଷକ ବଧୂ ଲୁହ ବହି

କାନ୍ଦୁଥାଏ, ଅନ୍ନ ବିନେ ଶିଶୁପୁତ୍ର ଉପବାସେ ଥିବେ କେତେ କାଳ

ତହିଁରୁ ଫୁଟିନି ସତ୍ୟ ପୃଥିବୀର ମେରୁଦଣ୍ଡ ମନ୍ଥି ବାର ବାର ?

 

କୁଟୀର କା’ ହେଲାଣି ନିଲାମ, ବାସହୀନ କିଏ ଯାଏ ଭିକ୍ଷା ମାଗି,

ତାହାରି ଭିତରୁ ସତ୍ୟ ରଡ଼ି ଛାଡ଼ି ଆର୍ତ୍ତ ସ୍ୱରେ ଉଠି ନାଇଁ ଜାଗି ?

ପଶୁରୁ ନିଊନ କରି ଅବଜ୍ଞାରେ ମଣିଷକୁ ରଖାଯାଏ ଯହିଁ

‘ମଣିଷ ସମ୍ମାନ ଦିଅ’ ତା’ ଭିତରୁ ସତ୍ୟ କଣ ସତେ ନାଇଁ କହି ?

 

ଶୃଙ୍ଖଳିତ କରି ଯେବେ ଏ ଜାତିକୁ ରଖା ହେଲା ବର୍ଷ ବର୍ଷ ଧରି

ଦିଆ ହେଲା ନାଂଇଁ ତା’ରେ ଜୀବନର ଅଧିକାର; ନଗ୍ନ ରୂପ ଧରି

ସତ୍ୟ କେହ୍ନେ ଉଠନ୍ତାନି ? ରୁଦ୍ରମୂର୍ତ୍ତି ପରିଗ୍ରହି ଧରଣୀର ତଳେ,

ସତ୍ୟ ଶୁଭ୍ର କରେ ଆଜି ଜାଗିଚି ଭାରତ ବହୁ ଘନଘଟା ପରେ ।

 

ଜାତି ମୋର ! ଦେଶ ମୋର ! କରେ ତୋର ପ୍ରଗତିର ସ୍ୱର୍ଣ୍ଣବୀଣା ତାର,

ସାଧନାରେ ଜଳି ଶେଷେ ମିଳିଛି ଇପ୍‌ସିତ ତୋର, ନାଇଁ ଅନ୍ଧକାର;

ଯେତେ ଯା ଅର୍ଗଳ ଆସୁ ସବୁ ତୋର ପାଦତଳେ ଦିଅ ଛିନ୍ନ କରି,

ଦୂରେ ଦୂରେ ଚାଲ ଆଜି କୋଟି କୋଟି ଅନ୍ତରର ପାରିଜାତ କଳି-

 

ଫୁଟାଇ ଫୁଟାଇ ତୁମେ, ତ୍ରିରଙ୍ଗ ପତାକା ଉଡ଼େ ଅନ୍ତରୀକ୍ଷ ଚିରି,

ପ୍ରତି ପ୍ରାଣେ ଢାଳି କିବା ଜୀବନ ବିକାଶ ବାହୀ ଉନ୍ମାଦନା ଶିରୀ ।

ଆଜି ତୁମେ ରୁଦ୍ଧ ନୁହେ, ବଦ୍ଧ ନୁହ, ଆଜି ତୁମେ ଉନ୍ମୁକ୍ତ ସୁନ୍ଦର

ପୃଥିବୀର ଚତୁର୍ଦ୍ଦିଗେ ନୂତନ ଜୀବନ ଢାଳ ସତ୍ୟ ଶୁଭଙ୍କର ।

 

ପ୍ରତି ବ୍ୟକ୍ତି, ପ୍ରତି ରାଷ୍ଟ୍ର, ପ୍ରତି ଦେଶ, ଧରଣୀର ପ୍ରତି ଜନପଦ,

ସକଳରେ ଅକୁଣ୍ଠିତେ ଢାଳିଦିଅ ଶାନ୍ତମୈତ୍ରୀ ଜୀବନ ସମ୍ପଦ;

ଏ ମାଟିର କେଉଁ ଥାନେ ରଖନାଇଁ ବେଦନାର ଘନକୃଷ୍ଣ ଛାୟା;

ଚତୁର୍ଦ୍ଦିଗେ ବୁଣି ଚାଲ ଜୀବନର ପୂର୍ଣ୍ଣଗୀତି ଆନନ୍ଦର ମାୟା ।

 

ଆଜି ଯେହ୍ନେ ଏ ଜାତିର ପ୍ରାଣଦାନୀ ମୁକ୍ତିଦାନୀ ବକ୍ଷ ବାପୁଜୀର

ଊର୍ଦ୍ଧ୍ୱରୁ ଆସଇ ଭାସି ପ୍ରତି କାନେ କହି କହି ସ୍ୱମଙ୍ଗଳ ଗିର !

ଜାତି ମୋର ଶୁଣିନ କି ? ବାଣୀ ତାର ମେଘ ମନ୍ଦ୍ରେ ଆସେ କେହ୍ନେ ଭାସି

‘ଜୀବନ ଶୋଣିତ ଢାଳି ସୁନାର ରାଇଜ ଦିଅ ସୃଷ୍ଟିରେ ପ୍ରକାଶି ।’

 

ପ୍ରତିବ୍ୟକ୍ତି ଭାଳି ନେଉ ଏ ଜାତିର ଏ ମାଟିର ମୁହିଁ ସେବାକାରୀ

ଯେତେ ଯହିଁ ବ୍ରାହ୍ମଣ ଅଚ୍ଛବ ବୈଶ୍ୟ ସକଳରୁ ଦ୍ୱନ୍ଦ ଯାଉ ଚାଲି;

ହିବାଦ୍ରିର ପାଦତଳେ, ଜାହ୍ନବୀ, ଯମୁନା, ଗଙ୍ଗା, ଗୋଦାବରୀ କୂଳେ,

ମହୋଦଧି ବାଲିବନ୍ତେ, ସହ୍ୟାଦ୍ରିର ନଭଶ୍ଚୁମ୍ୱୀ ଶ୍ୟାମକାନ୍ତ ଚୂଳେ,-

 

ଯେତେ ଯହିଁ ଭାରତର ନରନାରୀ ଏକ ପରିବାର ବ୍ୟକ୍ତି ପରି

ପ୍ରାଣର ସୌରଭେ ଦିଅ ଏ ମାଟିର ଦିଗ ଦିଗନ୍ତର ପୂର୍ଣ୍ଣ କରି ।

ସାମ୍ୟ ମୈତ୍ରୀ କଲ୍ୟାଣର ହେଉ ଏଇମାଟି ଏକ ମହା ଗନ୍ତାଘର,

ଏଥିକେ ସମ୍ରାଟ ନାଇଁ, ସଭିଏ ସେବକ ହୁଅ ଏଥି ପରସ୍ପର ।

 

ଆଜି ଏଇ ପୁଣ୍ୟ ଦିନେ ଜାତି ମୋର କରପୁଟେ ଦିଅ ଶ୍ରଦ୍ଧାଞ୍ଜଳି

ଶତ ଶତ ଶହୀଦରେ; ଏ ମାଟିରେ ଯା ବକ୍ଷରେ ଉଷ୍ମରକ୍ତ ପଡ଼ି-

ଆଣିଚି ଏ ଦେଶ ମୁକ୍ତି, ତୋଳି ଅଛି ବିଜୟର ଗୌରବ କେତନ

କେମନ୍ତେ ଭୁଲିବ ତୁମେ, ପୃଥିବୀରେ ଶହୀଦର କାହିଁ ବା ମରଣ ?

 

ଶତଝଞ୍ଜା ଶତଝଡ଼ ଭିତରେ ଯେ, ଗତି କରି ବୀରଦର୍ପ ଧରି,

ଘରଦ୍ୱାର ଭାଇବନ୍ଧୁ ସକଳ ସ୍ୱାର୍ଥରେ ଯେହୁ ଦେଇ ଜଳାଞ୍ଜଳି,

ଜାତିର ହୃତ୍‌ପିଣ୍ଡେ ତା’ର ଆଣିବାର ପାଇଁ ଖାଲି ଶାଶ୍ୱତ ସ୍ପନ୍ଦନ

ମୃତ୍ୟୁରେ ବରଣ କରେ ହସି ହସି ନୋହି ଲବେ କାତର ବିଷର୍ଣ୍ଣ,

 

ବିଲୟ ତାହାର କାହିଁ ସେ ଯେ ଏ ମାଟିର ପ୍ରତି ରନ୍ଧ୍ରେ ରନ୍ଧ୍ରେ ରହି

ସତ୍ୟପାଇଁ ଧର୍ମପାଇଁ ଉନ୍ମାଦନା ଦେଇଯାଏ କଳ୍ପାନ୍ତର ବହି !

ଚତୁର୍ଦ୍ଦିଗେ ଚାହିଁ ତମେ ସେ ମୂର୍ତ୍ତି ଦିଶୁନି ନେତ୍ରେ ଢଳ ଢଳ ?

ଚରଣେ ପଣତି କରି, ଏ ମାଟି ମଙ୍ଗଳ ଲାଗି ବ୍ରତ ଭିକ୍ଷାକର !

 

କର୍ତ୍ତବ୍ୟର କାହିଁ ଶେଷ ? ସାଧନାର ଦୀପଶିଖା ଅବିଚ୍ଛନ୍ନ ଚିର,

ଜୀବନର ଗତି ଚକ୍ରେ ପଡ଼ିବ ପ୍ରକାଣ୍ଡ ଶିଳା; ନୋହି ନତଶିର-

ଚାଲିବାକୁ ହେବ ଏଥି, ଶତ ଶତ ଜନତାର ସେବା କରି କରି

ଜୀବନ ମଧୁର ସ୍ୱପ୍ନ ସହସ୍ରର ବକ୍ଷତଳୁ ଆଣିବ ଆହରି ।

 

ସେଇତ ପ୍ରାଣର କାମ୍ୟ-ଜୀବନର ଏକମାତ୍ର ସମ୍ପଦ ପରମ

ହେ ମୋର ଉନ୍ମୁକ୍ତ ଜାତି ! ବକ୍ଷ ଭରି ସର୍ବସ୍ୱ ତୁ କର ଅରପଣ;

ନିଜପାଇଁ ଅବଶେଷ ଲବେ ମାତ୍ର ନାଇଁ ରଖି କର ଅପ୍ରଗତି,

ତିତିକ୍ଷାରୁ ଜନ୍ମ ତୋର ବିଶ୍ୱ ପ୍ରୀତି ପରା ତୋର ପ୍ରାଣର ସମ୍ପତ୍ତି !

 

ପୃଥିବୀର ଚତୁର୍ଦ୍ଦିଗେ ଦାବାନଳ ପରି ଆଜି ଉଠେ ଯେହ୍ନେ ଜଳି,

ସ୍ୱାର୍ଥର ତାଣ୍ଡବ ଲୀଳା, ଦିଗ୍‌ବିଦିଗେ ଆତଙ୍କର ମାୟା ସୃଷ୍ଟି କରି,

ଘୁଞ୍ଚିଯିବ, ଲୁଚିଯିବ-ପୃଥିବୀରେ ଦେଖା ତୋର ଅମୃତର ପଥ,

ଜୀବନ ଜୀବନ ପରି ଦାଉ ଦାଉ ଜଳି ଉଠୁ ବିଶ୍ୱେ ଅବିରତ ।

------------------------------------------------------

 

ପ୍ରତିଜ୍ଞା

ଜାଣି ଶୁଣି କରି ଅନ୍ୟାୟ ତଳେ ଲଇଁବା

ତାହା ତହୁଁ କିବା ବଡ଼ ପାପ ଅଛି ରହିବା ?

ବୀର ବିକ୍ରମେ ଯୁଝି ମରିଯିବା ଭଅଲ

ଜୀବନେ ତା’ ନୁହେ ଦବିଯିବା ରହି କଅଁଳ ।

ପ୍ରତି ଜୀବନର ଅଛି ଗଉରବ ମହତ

ନିଷ୍ଠୁରେ ତାରେ ମାରି ଦେବା କିଆଁ କହ ତ ?

 

ବଂଧୁ ହେ ମତେ କହୁଅଛ ତୁମେ ଲଢ଼ନା

ମଥା ପୋତି ସବୁ ସହି ଯିବା ଅଟେ ଭଲ ନା !

ଦୁଃସହ ଯାହା, ଯାହା ଦୁର୍ନୀତି ପରିତ,

ପଳ ପଳ କରି କାଟେ ଯେ ପ୍ରାଣକୁ ତୁରିତ

ବିରୁଦ୍ଧେ ତା’ର ଯିବି ମୁଁ ନିଶ୍ଚେ ଲଢ଼ି ହେ !

ଗୋଟିଏ ନିମିଷେ ରହିବିନି ସଢ଼ି ସଢ଼ି ହେ !

 

ଟିକିଏ ସ୍ୱାର୍ଥ ଟିକିଏ ଶାନ୍ତି ପାଇଁ କି

ଥିର ରହିଯିବି ଏତେ ହେଙ୍ଗାମ କାଇଁକି ?

ବିଚାରିଲା ବେଳେ ମୋର ଶିରା ଉପଶିରା ହେ

ତାତି ଉଠେ ବେଗେ କିବା ଇସ୍‌ପାତ ଶିଳା ହେ !

ଭିତରଟା ମୋର ମହାଜୀବନର ଝରଣା,

ଚାହେନା ରହିବ ହୋଇ କାହା ହାତ ଖେଳନା

 

ସାତ ହୀନିମାନ କରି କିଏ ମତେ ଥୋଇଲେ,

ତଳିତଳାନ୍ତ କରିବାକୁ କିଏ ବୋଇଲେ,

ଅଭାବର ମରୁ ଦେଲେ ମୋ ସବୁଠି ସରଜି,

ପାରିବିନି ମୋର ପ୍ରତିଜ୍ଞା କେବେ ବରଜି;

ଉତ୍‌ଫେଣ ନାଗ ପରି ମୁଁ ଉଠିବି ଊର୍ଦ୍ଧ୍ୱେ

ଜୀବନ ଲକ୍ଷ୍ମୀ ଆଣିବି ମୁଁ ଜିତି ଯୁଦ୍ଧେ !!

----------------------------------

 

ଯୁଦ୍ଧଯାତ୍ରା

ଜାତିପାଇଁ ଦେଶପାଇଁ ଜୀବନ ପାରିବି ଦେଇ,

ନାଇଁ ମୋ ବନ୍ଧନ ମନା ପାରିବେନି କରି କେହି ।

ଯେ’ ମାଟିର ରସଧାରା ବହେ ମୋର ବୁକୁତଳେ,

ଯେ ମାଟିର ସମୀରଣ ବଞ୍ଚାଇ ରଖିଚି ମୋରେ,

ସେ ମାଟିର ବିଲ ବଣ ଶଇଳ-ସାଗର-ସ୍ରୋତ,

ଗଛ ପତ୍ର ଫୁଲ ଫଳ ଶ୍ୟାମଳ ପ୍ରାନ୍ତର ପଥ,

ଧମନୀ ଶୋଣିତେ ଆଣେ ଜୀବନର ଜାଗରଣ

କେମନ୍ତେ ତା’ ପାଇଁ ନାଇଁ କରିବି ଜୀବନ ପଣ ?

 

ଯେ’ ମାଟିର ବୁକୁ ପରେ ଠିଆ ହୋଇ ଖେଳେ ବୁଲେ,

ଯେ ମାଟି ବାନ୍ଧିଚି ମୋରେ ଶତ ସଖା ବନ୍ଧୁ ତୁଲେ,.

ଯେ ମାଟିର ବଳ ବୀର୍ଯ୍ୟେ ଗଠିତ ମୋ ପ୍ରତି ଅଙ୍ଗ,

ଯେ ମାଟିର ସୁଖେ ଦୁଃଖେ ଫିଟେ ମୋ ଜୀବନ ରଂଗ,

ଯେ ମାଟିର ସାଥେ ମୋର ଜନ୍ମ ଜନ୍ମ ପରିଚୟ,

ହୁଏ ଯହିଁ ସୁଖ ଦୁଃଖ ଜନ୍ମ-ମୃତ୍ୟୁ ଅଭିନୟ,

କେମନ୍ତେ ତା’ ଲାଗି କହ ଦେବି ନାଇଁ ଆତ୍ମବଳି ?

କେମନ୍ତେ ତାତିବି ନାଇଁ ତାହାରି ଶୋଣିତ ଧରି !!

 

ସତ୍ୟ ଲାଗି ନ୍ୟାୟ ଲାଗି କୃପାଣ ଧରିବି କରେ,

ତା’ ଆଖିର ଉଷ୍ମ ଅଶ୍ରୁ ସହି ପାରିବିନି ଥରେ ।

ବଜାଇ ବିଜଇ ତୁରୀ, ଚାଲିବି ମୁଁ ପଥେ ପଥେ

ଚାଲିବି ସାଗର ବକ୍ଷେ ଚାଲିବି ଅନଳ ସ୍ରୋତେ,

 

ମେରୁର ତୁଷାର ଶୈଳେ ତା’ଲାଗି ଚାଲିବି ପଥ

ସାହାରା ପ୍ରାନ୍ତରେ ଯିବି ନୋହି ଲବେ ଅବନତ;

ଆଣିବି ବିଜୟ-ଲକ୍ଷ୍ମୀ, ତା ପାଇଁ ସୋହାଗେ ବରି

ସତ୍ୟ ଲାଗି ନ୍ୟାୟ ଲାଗି କୃପାଣ ଉଠିବି ଧରି,

 

ଦିଅ ଗୋ ଜନନି ଦିଅ ବିଦାୟ ମୁଁ ଯାଏ ଚଳି,

ଗୋଟିଏ କୋଟିଏ ପାଇଁ ସଂଗ୍ରାମେ ପଡ଼ିବି ଢଳି ।

ବିଜୟ-ସିନ୍ଦୁର ଟିକା ବୋଳି ଦିଅ ଶିରେ ମମ !

କର ମୋରେ ଆଶୀର୍ବାଦ, ମୋରେ ଯେ ଦେଇଚ ସ୍ତନ୍ୟ-

କେଶରୀ ବିକ୍ରମ ତାର, ଦେଖାଏ ମୁଁ ଧରଣୀରେ

ମୁଁ ଥାଉ ମୋ ଦେଶ ମାଟି ପଡ଼ିଥିବ କଲବଲେ-

ଏ ରକ୍ତାକ୍ତ ଦେହ ଧରି, ହୋଇ ସାତ ହୀନିମାନ !

ମୁଁ ତାହାର ସନ୍ତାନ, ନା, ହତ୍ୟାକାରୀ ସୟତାନ ?

 

ବଜାଇ ସଂଗ୍ରାମ ବାଜା, ଉଡ଼ଇ ଚିରାଳ ମାଳା

ଚାଲିଚନ୍ତି ସୈନ୍ୟ ଧାଡ଼ି କାନ୍ଧରେ ବନ୍ଧୁକ ଗୋଳା,

ପଡ଼େ କେତେ ହୁଳହୁଳି, ପଡ଼େ କେତେ ବୀର- ଡ଼ାକ

ଜାତିର ହୃତ୍‌ପିଣ୍ଡ ପରି ଚାଲନ୍ତି ଜବାନଯାକ;

ସଂଗ୍ରାମେ ଫେରେ ବା ମରେ ଲୋଡ଼ା ନାଇଁ ଜାଣିବାର

ବଞ୍ଚାଏ ଦେଶରେ ମୋର ଚାଳି ଖଣ୍ଡା ତଲୁଆର

ଯାଉଚି ଯାଉଚି ମାଆ ! ଏ ତୋର ଆଶିଷ ମାଗି

ଶିରାରେ ଶୋଣିତ ମୋର ଫୁଟୁଚି ମୋ ଦେଶ ଲାଗି-

----------------------------------------

 

ଜୀବନ ଶ୍ମଶାନ

ପଦ ମର୍ଯ୍ୟଦାର ମହା ଅଭିମାନ ଧରି

କିଏ ଏଥି ବୁକୁ ଠେଲି ଚାଲେ

ଅୟସ ଓ ଆଡ଼ମ୍ବରେ ହର୍ମ୍ୟ ରଚି କିଏ

ଖାତିରି ତ କରେ ନାଇଁ କାରେ,

କା’ ହାତରେ ସୁନାଘଡ଼ି,

କଣ୍ଠେ ସୁନା ଚେନ୍‌

ଅତରର ଗନ୍ଧେ ମହକଇ,

ଦରିଦ୍ର କୁଟୀରେ କିଏ ଗଲାଣି ସାଂବୁଡ଼ି,

ପେଜପାଣି ଟୋପେ ନ ମିଳଇ !

 

ପଥପ୍ରାନ୍ତେ କେ’ କହୁଚି ଲୁହ ନେତ୍ରୁ ଢାଳି,

ଚାରି ଦିନେ ଆଜି ଜଳେ ଚୁଲି,

ନେହୁରା ହୋଇ ମୁଁ କେତେ ମାଗିବାର ପରେ,

ଦେଲା ବୋଲି ଅଡ଼େ ରାମ ଖୁଡ଼ି ।

କହୁଚି ଜନନୀ କା’ର କୋଳ ସଂଖାଳିରେ

ହୀନ ପେଟୁ ଲଭିଚୁ ଜନମ

ଏ ମାଟିର ଯେତେ ଯାହା-

ସୁଖ ବଇଭବ,

କେଉଁ ଥିକି ହେବୁ ତୁ ଭାଜନ !

 

ଏକଇ ଏ ପୃଥିବୀରେ ଗୋଟିଏ ପ୍ରାଣର

କୋଟି ଶାଖା ହୋଇଅଛି ମେଲା

ସବୁ ଶାଖେ କାହିଁ ପାଇଁ ରସାଳ ସମ୍ପଦ

ଗଉରବେ ନ କରିବ ଖେଳା ?

ବିନ୍ଦୁ ବିନ୍ଦୁ ରକ୍ତ ଯହିଁ କାନ୍ଦୁଛି ନିୟତ

ନିଖିଳର ବୁକୁ ତଳେ ତଳେ,

ପୃଥିବୀ ବଞ୍ଚିଚି ତହିଁ,

ଆଶେ ଓ ବିଶ୍ୱାସ ଧରି

ପାରିବି କି କହି ବଜ୍ର ସ୍ୱରେ ?

 

ମଣିଷର ଚିତାନଳ ଜଳୁନି କି ସେଠି

ଅବିଶ୍ରାନ୍ତ ରକ୍ତଶିଖା ମେଲି,

ଗୃଧ୍ର ଓ ଶୃଗାଳ ପରି ଚଉପାଶେ ତା’ର

ନାହାନ୍ତି କି ଲକ୍ଷପତି ବେଢି ?

ବାଜୁନି ବାଜୁନି କାହିଁ ପ୍ରାଣର ଦୁନ୍ଦୁଭି,

ଶୁଭୁଅଛି ଆର୍ତ୍ତର ଚିତ୍କାର

ଚତୁର୍ଦ୍ଦିଗେ ଏ ମାଟିର ଭୀଷଣ ଶ୍ମଶାନ,

ଚତୁର୍ଦ୍ଦିଗେ ପ୍ରାଣହୀନ-

ବେଶ ବସୁଧାର !

---------------------

 

 

 

 

ପୂର୍ଣ୍ଣହୁଅ

ପୂର୍ଣ୍ଣ ହୁଅ ! ପୂର୍ଣ୍ଣ ହୁଅ !

ସକଳ ଆଶା ପୂର୍ଣ୍ଣ ହୁଅ !

ସୁନ୍ଦର ଏ ସାଗର ପରେ

ଚାଲୁ ମୋ ତରୀ କାଟିଣ ସୁଅ !

 

ଅସୀମ ଏଇ ପ୍ରାଣର ମେଳେ,

ଖେଳେ ଖେଳେ ନିୟତ ଖେଳେ;

ଏଇତ ମୋର ଆନନ୍ଦର

ଜୀବନଭରା ଗୋଟିଏ ଗୃହ !

ପୂର୍ଣ୍ଣ ହୁଅ ! ପୁର୍ଣ୍ଣ ହୁଅ !

ସକଳ ଆଶା ପୂର୍ଣ୍ଣ ହୁଅ !

 

ପୂର୍ଣ୍ଣ ହୁଅ ! ପୂର୍ଣ୍ଣ ହୁଅ !

ସକଳ ଆଶା ପୂର୍ଣ୍ଣ ହୁଅ !

ଚାଲରେ ତରୀ ଚାଲରେ ଚାଲ !

ସବୁରୀ ପ୍ରାଣ ସରାଗେ ଛୁଅଁ !

 

ସଫଳ ସ୍ୱପ୍ନ ଦେଖି ଦେଖି

ଚାଲରେ ତରୀ ତୋ ପାଲ ଟେକି,

ଏତେ ନିଜର ରାଇଜ ଆଉ

ଏ ତହୁଁ ବଳି କେହି ତ ନୁହ,

ପୂର୍ଣ୍ଣ ହୁଅ ! ପୂର୍ଣ୍ଣ ହୁଅ !

ସକଳ ଆଶା ପୂର୍ଣ୍ଣ ହୁଅ !

 

ପୂର୍ଣ୍ଣ ହୁଅ ! ପୂର୍ଣ୍ଣ ହୁଅ !

ସକଳ ଆଶା ପୂର୍ଣ୍ଣ ହୁଅ

ଯେ ପାଇଁ ଯେତେ ଫୁଟିବ ଅଛି

ଯାଉରେ ଫୁଟି ହାସ୍ୟ ଲୁହ ।

 

ଆଉ ତ କାରେ ପାଇବି ନାଇଁ

ଆଉ ତ କାରେ ଚାହିଁବି ନାଇଁ,

ସଭିଏ ଆସି ପ୍ରାଣର କଥା

ମୋ କାନ ପାଖେ କୁହରେ କୁହ !

ପୂର୍ଣ୍ଣ ହୁଅ ! ପୂର୍ଣ୍ଣ ହୁଅ !

ସକଳ ଆଶା ପୂର୍ଣ୍ଣ ହୁଅ !

 

ପୂର୍ଣ୍ଣ ହୁଅ ! ପୂର୍ଣ୍ଣ ହୁଅ !

ସକଳ ଆଶା ପୂର୍ଣ୍ଣ ହୁଅ !

ଯେଉଁଠି ଭରି ରହିଚି ଏତେ

ସଖା ବନ୍ଧୁ ସେନେହ ସୁଅ !

 

ଏଇଠି ହେଉ ଅବସାନ

ଯେତେ ପ୍ରାଣର ଧାରଣା ଧ୍ୟାନ,

ଏଇତ ମୋର ପ୍ରାଣର ମାଟି

ବୁଝେ ପ୍ରାଣର ହସ ଓ ଲୁହ

ପୂର୍ଣ୍ଣ ହୁଅ ! ପୂର୍ଣ୍ଣ ହୁଅ !

ସକଳ ଆଶା ପୂର୍ଣ୍ଣ ହୁଅ !

---------------------------------