ଜୀବନର କେଉଁ ଯୁଗେ କେଉଁ ମୁହୂର୍ତ୍ତରେ
ମୁଁ ତୁମକୁ ଦେଖିଥିଲି, ସେ ଦିନୁ ତୁମ୍ଭରେ,
ବର୍ଷ ବର୍ଷ ଯୁଗ ଯୁଗ କାଳ କାଳ ଧରି
ନିୟତି ଆସୁଛି ମୁହିଁ ଆରାଧନା କରି,
ଆଖିର ଅଶ୍ରୁରେ ଅବା ଓଠର ହାସ୍ୟରେ,
ଡାକୁଛି ଜୀବନ ସାରା ସବୁ ବୟସରେ
ବନକୁଞ୍ଜେ ପଥଘାଟେ, ସଜନେ ବିଜନେ,
ସ୍ୱଦେଶେ ବିଦେଶେ ଅବା କୁଟୀର ପ୍ରାଙ୍ଗଣେ,
ଅନ୍ଧାରେ ଆଲୋକ ଅବା ଗୋଧୂଳି ଲଗନେ,
ସବୁବେଳେ ତୁମେ ଯେହ୍ନେ ଅମର ବନ୍ଧନେ
ବନ୍ଧା ଏ ଦରିଦ୍ର ସହ, ତୁମକୁ ହିଁ ଧରି
ଅନନ୍ତ ଏ ପାରାବାରେ ବାହିନିଏ ତରୀ,
ତୁମରି ବୀଣାର ଏକ ଛିନ୍ନ ତନ୍ତ୍ରୀ ତଳେ
ଟିକିଏ ବାଜିଲେ ଧନ୍ୟ ମଣିବି ନିଜରେ !!
ମତେ ବଡ଼ ଭଲ ଲାଗେ ସେଇ ପଲ୍ଲୀ ଗାଏଁ
ଯେଉଁଠି ନଈଟି ସର୍ପ ଗତି କରି ଧାଏଁ,
ଯେଉଁଠି ସବୁଜ ଶ୍ୟାମ ଗୋଟିଏ ପାହାଡ଼,
ଅମୃତ ଆନନ୍ଦ ପରି ଉଭା କାଳ କାଳ,
ଯେଉଁଠାରେ ସୀମାହୀନ ଦିଗ୍ବଳୟ ଧରି,
ସ୍ୱର୍ଣ୍ଣ ଶସ୍ୟ ନାଚି ଉଠେ ଖେଳାଇ ଲହରୀ
ମୃଦୁମନ୍ଦ ସମୀରଣେ, ଯେଉଁଠି ପ୍ରାନ୍ତର
ମେଷ ଛାଗ ମହିଷ ଓ ଗୋଧନ ପଲର
ଟିପାନାଦେ ମୁଖରିତ, ଯେଉଁଠି ଜୀବନ
ସରଳ ସୁନ୍ଦର ସ୍ୱଚ୍ଛ ମଧୁର ପାବନ,
ଶିଖି ନାଇଁ ଧରଣୀର କ୍ଷତି କରି କରି,
ବିରାଟ ହେବାକୁ ଆପେ; ଚିରଦିନ ଧରି,
ବୁଲୁଥାନ୍ତି ! ଅମୃତର ପୁଣ୍ୟ ଅବଗାହେ
ପ୍ରକୃତି ବିଚ୍ୟୁତ ପ୍ରାଣେ କି ସଂପଦ ଥାଏ !!
ଶିରେ ମୋର ଖଞ୍ଜିଦିଅ ବିଜୟ ମୁକୁଟ
ଗଳେ ପାରିଜାତ ମାଳା ଦିଅ ଗୋ ! ଲମ୍ବାଇ;
ଦାରିଦ୍ର୍ୟ ଓ ଦୈନ୍ୟ ମେଳେ ବିପଞ୍ଚୀ ବଜାଇ
ସରଜେ ମୁଁ ଧରଣୀରେ ଆନନ୍ଦ ବୈକୁଣ୍ଠ;
ବିପଦ ଓ ବେଦନାର ଅନନ୍ତ ତିମିରେ
ଜଳିଉଠେ ପ୍ରେୟସୀ ଲୋ ! ରତ୍ନଦୀପ ପରି
ବୀରତ୍ୱର ସାହସର ଦୀପ୍ତି ବକ୍ଷେ ଭରି
ଚାଲେ ମୁହିଁ ବୁକୁ ଠେଲି, ଭବ-ସିନ୍ଧୁ ତୀରେ;
ନ ଲୋଡ଼ୁ କେ’ ଧରଣୀରେ ଆପଣାର କରି
ସଭିଏଁ ଚାହାଁନ୍ତୁ ମୋତେ ଦୀନ-ଦୃଷ୍ଟି ଦେଇ
ଗଭୀର ଅଭାବ ମେଳେ ନ ପଚାରୁ କେହି,
ତୁମ ତୁଲେ ବାହିନିଏ, ମୋର କ୍ଷୁଦ୍ର ତରୀ
ତୁମରି ଅମୃତ ହାସେ ମୋ ଖିଳ ଅନ୍ତର
ମୁଞ୍ଜରି ଉଠୁ ଲୋ ସଖୀ ! ଶତ ଜନ୍ମାନ୍ତର
ଶ୍ୟାମ ଖଣ୍ଡାହଣା ଯାର ନଭଶ୍ଚୁମ୍ବୀ ଶିର,
ଚରଣ ପଖାଳେ ଯାର ଚିଲିକା ସୁନ୍ଦରୀ,
ଶୋଲରୀ ଭାଲେରୀ ଯାର ଉଆସ ପ୍ରାଚୀର
ଶାଳିଆ ରାଜଇ ଯାର ସ୍ୱର୍ଣ୍ଣହାର ପରି,
ଗୁବାକ ପନସ ଆମ୍ର ନାରୀକେଳ ମାଳେ
ଶ୍ୟାମଛତ୍ର ଯାର ନିତ୍ୟ ହୋଇଅଛି ଟେକା
ଭଗ୍ନଦୁର୍ଗ ଦେବାଳୟେ ପ୍ରାସାଦେ ପ୍ରାକାରେ
ଅତୀତ ଗୌରବ ଯାର ହୋଇଅଛି ଲେଖା,
ସେଇ ମୋର ବାଣପୁର ପ୍ରିୟ ଜନ୍ମଭୂଇଁ
ଶ୍ୟାମାଙ୍ଗୀ ଧରଣୀ ବୀର, କବି ପ୍ରସବିନୀ
ତାହାରି ମୃତ୍ତିକା ମୁଠେ ଦେଲେ ଯେହ୍ନେ ଛୁଇଁ
ମରମୁ ଫୁଟଇ ମଞ୍ଜୁ କାବ୍ୟ ତରଙ୍ଗିଣୀ;
ହେ ମୋର ଜନନୀ ! ତୋର ପଦ ସ୍ପର୍ଶଲଭି,
ଯୁଗେ ଯୁଗେ ହୁଏ ମୁହିଁ ବିଶ୍ୱଜୟୀ କବି !
ନେଇ ଯିବ ମୃତ୍ୟୁ ତୁମ ଇଚ୍ଛା ଅନୁସରି;
ଉପରେ ଆକାଶ ତଳେ ଶ୍ୟାମା ବସୁନ୍ଧରା
ବନକୁଞ୍ଜ, ନଦ ନଦୀ ସାଗର ମେଖଳା;
କୋଟି ବନ୍ଧୁ ପ୍ରିୟଜନ ପରିଜନ ସହ
ହୋଇ ନାଇଁ ମୋର ପୂର୍ଣ୍ଣ ସ୍ନେହ ପରିଚୟ;
ଦେଇନାଇଁ ପ୍ରତିଦାନ ଅଛି କାର ବାକୀ
କେ ମୋତେ ନୀରବେ କେତେ ଭଲ ପାଏନା କି ?
ଦରିଦ୍ର କୁଟୀରେ କା’ର ପ୍ରତୀକ୍ଷା ମୋ ପାଇଁ
କେମନ୍ତ କାହାରେ ଛାଡ଼ି ପାରିବି ମୁଁ କାହିଁ ?
କୋଟିଏ ଅନ୍ତର ତୁଲେ ବନ୍ଧା ଏ ଜୀବନ;
କେମନ୍ତ ପାରିବ ନେଇ ? କୋଟି ଆକର୍ଷଣ,
ଭିତରେ ମୁଁ ଦେଖୁଥାଏ ସୁନାର ସପନ,
ସ୍ୱପ୍ନ ଶେଷେ ମାଲ୍ୟଗଳେ କରିବ ବରଣ;
ମୁଦ୍ରିତ ନୟନ ଦୁଇ ପଡ଼ିଅଛ ଶୋଇ
ଚିରକାଳ ପାଇଁ ଯେହ୍ନେ ଅବସନ୍ନ ନୋହି;
ଏ ପାଖେ ଭାଉଜ କାନ୍ଦେ ସୌଧେ ପିଟି ଶିର
ଆର ପାଖେ ଜ୍ଞାତୀଜନେ ଆକୁଳ ଅସ୍ଥିର
କ୍ଷୁବ୍ଧ ପାରାବାର ପରି; ଶବର ସଂସ୍କାର-
କରିବାକୁ ଗାଁ ଜନେ କରନ୍ତି ବିଚାର !
କାଠର ପିତୁଳୀ ପରି ମୁଁ ରହିଛି ଚାହିଁ
ଜଳ ଜଳ ହୋଇ, କିବା ଘଟିଯାଏ କାହିଁ
ସ୍ୱପ୍ନ ପରି ଚକ୍ଷୁ ଆଗେ, ଥର ଥର କରି,
ଅଙ୍ଗୁଳି ପରଶି ଦେହେ ଭାଇନା ତୁମରି !
ଚାହିଁ ରହେ, ଭାଳେ ପୁଣି ଯନ୍ତ୍ର ଶରୀରର
ଆଉକି ଚାଲିବ ନାଇଁ ? ମହା ଶ୍ମଶାନର
ଯାତ୍ରୀ ଏବେ ଯିବ ଚାଲି ! ଏଇ ମୁହୂର୍ତ୍ତକେ
ପଦଧୂଳି ବୋଳିନିଏ ମୋ ଦୀନ ମସ୍ତକେ ।
ସୁଦୂର ପ୍ରବାସ ଭୂଇଁ ଫେରିଯିବା ପାଇଁ
ଶକଟ ସଜ୍ଜିତ ଏବେ, ଭାଉଜ ମୋ ଚାହିଁ
ରହିଛନ୍ତି ଦାଣ୍ଡଘରେ, କରି ନମସ୍କାର
ତାହାଙ୍କୁ, ପିଣ୍ଡାରେ ନାଇଁ ଦେଖେ ବସିବାର
ଭାଇନା ମୋ ଚିର ପୂଜ୍ୟ ଦେବତାରୁ ବଳି;
ନୀରବେ ନୟନୁ ଯାଏ ଅଶ୍ରୁଟିଏ ଗଡ଼ି !
କେତେବାର ଏଇ ଥାନେ କରି ନମସ୍କାର
ପାଇଣ ଆଶିଷ କିବା ସ୍ୱର୍ଗ ସୁଧା ଧାର
ଯାଇନି ବିଦେଶ ଭୂଇଁ ? ସାନ ଭାଇଟିରେ
କେତେ ସେ କହନ୍ତି ନାଇଁ ସସ୍ନେହେ ସଧୀରେ
‘କେବେ ତୁ ଆସିବୁ ପୁଣି’? ଦୃଷ୍ଟିରୁ ଅତୀତ
ହେଲାଯାଏ ଚାହିଁ ଥାନ୍ତି ନୋହି ବିଚଳିତ ।
ଏବେ ଯେତେ ବାର ଯିବି ମୁଁ ବିଦେଶ ଭୂମି
କା’ ଓଠୁ ଶୁଣିବି ‘କେବେ ତୁ ଆସିବୁ ପୁଣି ?’
ବୁଡ଼ିଯାଏ ସ୍ୱର୍ଣ୍ଣରବି ପ୍ରତିଚୀ ଶଇଳେ
ତିମିର ଓଢ଼ଣା ଟାଣି ଧୀରେ ଅତିଧୀରେ
ଆସଇ ରଜନୀ ବଧୂ ତୀରକୁଞ୍ଜ ବନେ...
ଚିଲିକାର, ବୁଲୁଚି ମୁଁ ସଖା ବନ୍ଧୁସନେ;
ଉପରେ ଅନନ୍ତ ନଭ ନୀଳ କାନ୍ତ ଶିଳା
ତଳେ ନୀଳ ଚିଲିକାର ନୀଳ ଉର୍ମିଲୀଳା
ଏ ପାଖେ ଜଟିଆ ତୀର ଶ୍ୟାମ ବନଭୂମି,
ସେ ପାଖେ ଭାଲେରୀ ଚୂଳ ନଭ ବକ୍ଷ ଚୂମି,
ପ୍ରାଚୀର ପରାୟେ ଠିଆ ବହୁ ଦୂର ଯାଏ,
ଗୋଟି ଗୋଟି ସ୍ୱର୍ଣ୍ଣତାରା ହେମ ହାସ୍ୟ ପ୍ରାୟେ...
କେଉଁ ସୁର ଅପ୍ସରୀର ଆସିଲେଣି ଉଇଁ
ଜଳସ୍ଥଳ ବନଗିରି ବିଲ ପଦା ଭୂଇଁ
ସନ୍ଧ୍ୟାର ପରଶେ ଦିଶେ ସ୍ୱପ୍ନ ପୁରୀ ସମ
ଏ ସ୍ୱପ୍ନ ପୁରୀରେ ମୁହିଁ ସ୍ୱପ୍ନ ନିମଗନ;
ତୋ କୋଳେ ଉଦୟ ମୋର ତୋ କୋଳେ ବିଲୟ
ତୋ କୋଳେ ମୋ ଜୀବନର ଜୟ ପରାଜୟ;
କେମନ୍ତ ଆସିଲି ଏଠି କେମନ୍ତେ ମୁଁ କାହିଁ
ତୋ କୋଳେ ବିରଜି ଦିନେ ଚାଲିଯିବି କାହିଁ !
ଏଇ ତୋର ବିଲ ବଣ ଶୈଳ ନଦ ନଦୀ,
ସୀମାହୀନ ନୀଳ ନଭ ଅନନ୍ତ ଜଳଧି,
ଅଗଣିତ ନର ନାରୀ କୀଟ ପଶୁ ପକ୍ଷୀ,
ଅନନ୍ତ ଲୀଳାର ଖେଳ କେ ପାରିବ ଲକ୍ଷି !
ସକଳର ସାଥେ ମୋର ମମତା ବନ୍ଧନ
ଜୀବନେ ଆଣଇ କିବା ମଧୁ ଉପାୟନ !
କେତେ ରୂପେ, କେତେ ଭାବେ କାହାର ଅନ୍ତର
ଜୀବନ କରିଚି ସିକ୍ତ ସବୁଜ ସୁନ୍ଦର !
ତୋର ପ୍ରତି ଧୂଳିମାଟି ମୋର ସ୍ପର୍ଶମଣି,
ଯୁଗେ ଯୁଗେ ଜନ୍ମଲଭେ ତୋ କୋଳେ ଜନନି !
ସୁନାର ପ୍ରତିମା ପରି ଶିଶୁଟିକି ଧରି,
କହିଲା ପ୍ରେୟସୀ ତା’ର, ଦେଖ ତୋର ନନା;
ଚାହିଁଲା ଶିଶୁଟି ତା’ର ଚାହାଣୀଟି ଭରି,
ବହୁ ବେଳଯାଏ, କିସ ଆସିଲା ଭାବନା
ହସି ହସି ମାଆ କୋଳେ ମିଶିଗଲା ବାରେ
ପୁଣି ସେ ଚାହିଁଲା କେଡ଼େ ଥିର ତା’ ଚାହାଣୀ
ପ୍ରଭାତ ଆକାଶ ପରି ! ଖାଲି ଚାହିଁ ବାରେ
ଝରି ପଡ଼ୁଥିଲା ଯେହ୍ନେ ତା’ ଅନ୍ତର ବାଣୀ !
ଜନନୀ କହିଲା ତାରେ ‘ଏତେହସ ଧନ
ରଖିଥିଲୁ କେଉଁ ଥାନେ ଏଇ ଟିକି ଓଠେ,
ନନାଙ୍କୁ ନିରେଖି ମନ ଏତେ ପରସନ’ !
କହୁ କହୁ ତା’ ଅଧରେ ଆଉ ହସ ଫୁଟେ,
ବେନିଏ ହସିଲୁ ଆମେ, ପୁଣି ଶିଶୁ ହସେ
ତିନି ମୁଖେ ତିନିହସ କେଡ଼େ ଭଲ ଦିଶେ !
ସମ୍ମୁଖେ ଦିଶଇ ଶ୍ୟାମ ଗିରି ଖଣ୍ଡାହଣା;
ପଶ୍ଚାତେ ଚିଲିକା ଖେଳେ ଶତ ଉର୍ମିମାଳେ
ତରଳ ଚଞ୍ଚଳତର, ଦୁଇପାର୍ଶ୍ୱେ ମମ
ଶୋଲରୀ ଭାଲେରୀ ରାଜେ ମହାମହିମାରେ ।
ଘଣ୍ଟଶିଳା ଚୂଳେ ଆହା ସ୍ଥବିର ତପନ
ନୀରବେ ଯାଉଚି ବୁଡ଼ି, ଶୀତଳ ମରୁତ
ଥିରି ଥିରି ବହି ଆସେ, ଶ୍ୟାମଳ କେଦାରେ
ଚାଲେ ଶାଳାବତୀ କିବା ରୌପ୍ୟ ରେଖାବତ !
କେମନ୍ତେ ଲାଗଇ ଭଲ ଚାହିଁବାରେ ଏଇ
ପ୍ରକୃତି ଅନନ୍ତ ଲୀଳା, ଦୁଃଖ ହୁଏ ମମ
ଏ ମୋହନ ଶିରୀମାଳା କାହା ହସ୍ତେ ଦେଇ
ବୁଜିବି ଅନ୍ତିମ ଡୋଳା, ବରଜି ଭୁବନ;
ହେ ଚିଲିକା ଖଣ୍ଡାହଣା ଶୋଲରୀ ଭାଲେରୀ !
ତୁମ କୋଳେ କରୁଥାନ୍ତି ଚିରନ୍ତନ କେଳି; !
ନବଜାତ ବତ୍ସତରୀ ପ୍ରତି !
ସୃଷ୍ଟିର କେବଣ ପୁରେ ରହିଥିଲୁ ତୁରେ !
ଖେଳୁଚୁ ବୁଲୁଚୁ, ଆଜି ମୋ ଦରିଦ୍ର ପୁରେ ।
କୋମଳ ରସନା ଚାଳି ଅମୃତ ସେନେହେ,
ବାରବାର ଚାଟି ଦେଉ ଆସି ମୋର ଦେହେ ।
କୃଷ୍ଣାଭ ନୟନ ଦୁଇ, କୋମଳ ଶରୀର,
ସରୁ ସରୁ ଖୁରାଚାରି, ଲୋମ-ସ୍ନିଗ୍ଧ ଶିର,
କେମନ୍ତ ରଚଇ ମୋର ପରାଣେ କୌତୂକ,
ବକ୍ଷର ଅତଳ ତଳୁ ଯେତେ ଯହିଁ ଦୁଃଖ
ନିମିଷେ ଉଭାଇ ଯାଏ, ଚାହିଁ ରହେ ତୋରେ,
କି ଗଭୀର ଅନୁରାଗ ଦେଉନାଉଁ ମୋରେ !
ତୋ ଭିତରେ ମୋ ଭିତରେ ଅଛି ଯେ ଜୀବନ
କେମନ୍ତେ ଜଣକୁ ଜଣେ କରେ ଆକର୍ଷଣ !
ଆପଣାରୁ ବଳି, ଅତି ଆପଣାର କରି,
ମୁଁ ନୁହେଁ ଧରାର ଜୀବ, ତୁହି ନୁହ ଖାଲି ବତ୍ସତରୀ ।
ବଡ଼ ଭଲ ଲାଗେ ମୋର ଦେଖିବାରେ ଏଇ
ପାହାଡ଼ ପ୍ରାନ୍ତର ପଥ ଶ୍ୟାମ ଗୁଳ୍ମ ଦେହୀ ।
ବାଳୁତ ବୟସେ ଯେବେ ସହପାଠୀ ମେଳେ
ବୁଲି ଆସୁଥିଲି ଏଠି ଅବସର ବେଳେ,
ମନ ବିନୋଦନ ଭରେ ଶତଚର୍ଚ୍ଚାକରି
ସେ ମୋହନ ଦିନ କେହ୍ନେ ଗଲା ଅପସରି; ?
ଚାହିଁ ରହେ ବାଳୁତର ଏଇ ପୁଣ୍ୟ ଥଳୀ
ଅଛି ସେ ଶଇଳ ବନ, ଯୁଗ ଯୁଗ ଧରି ।
ଚରନ୍ତି ମେଣ୍ଢା ଓ ଛେଳି ହୋଇ ପଲ ପଲ
ଛତା ଟେକି, ବାଡ଼ିଧରି ଚାଲେ ତରତର
ଗୋପାଳ କଠାଉମାଡ଼ି, ଶବରୁଣୀ ଝିଅ
ଇଂଧନ ସଂଗ୍ରହ କରେ ଭାଙ୍ଗି ବର ସିଅ ।
ପ୍ରିୟ ପରିଚିତ ମୋର ଏ ପଲ୍ଲୀ ଭିତରେ
ଆନନ୍ଦର ଦିନ ଯେହ୍ନେ ଖୋଜେ ଆଉଥରେ;
ଭବନ ଅଙ୍ଗନେ ବସି ଶିଶୁ କନ୍ୟାଟିରେ
ଖେଳାଉ ଖେଳାଉ ତା’ରେ କହିଲି ସଧୀରେ,
‘କାଲି ଯେ ପାଇବ ରାତି, ଯିବି ମୁଁ ସତ୍ୱର
ସୁଦୂର ପ୍ରବାସ ଭୂଇଁ, ଆଣିବି ମୁକର
ଖଜା କୋରା ତୋହ ଲାଗି, କେତେ ମାସ ପରେ
କାନ୍ଦିବୁନି, ଥିବୁ ସୁଖେ ଜନନୀର କୋଳେ; ।’
‘ନାଇଁ ତୁମେ ଯାଅ ନାଇଁ, ଖଜା କୋରା ମୋର
ଲୋଡ଼ା ନାଇଁ, ଦେବେ ବାପା ମାଗିଲେ ସତ୍ୱର ।
କାହିଁ ଯିବ କି କରିବ ?’ ଶୁଣି ତାର କଥା
ଆଖି ହେଲା ଛଳ ଛଳ, ବୁକେ ଗୁରୁ ବ୍ୟଥା
ଚାପିଧରି କହିଲଇଁ ‘କି କରିବି ଏଥି ?’
‘କି କରିବ ? ରହିଥିବ, କଥା, ‘ଗୀତ’ ନିତି
କହୁଥିବ ପାଶେ ମୋର; ମନେ ହେଲା ମମ
ପରାଧୀନ ଭାଗ୍ୟେ କାହିଁ ଆନନ୍ଦ ପରମ !
ଯେଉଁଠାରେ ନିଭୁ !
‘‘କହ ଅଜା ! କହ ମୋରେ ପାଣି ଫୁଟକାଳି
ଏକ ପରେ ଆନ ଆସେ ଯାଏ କାହିଁ ଚାଲି ?
କେତେ ଆସେ କେତେ ଯାଏ, କେତେ ଅଧ ବାଟେ,
ନିଭିଯାଏ । ପୁଣି କେତେ ଆସେ ସାଥେ ସାଥେ ।
ସାଥୀ ପରି କିଏ ଯାଏ ମିଶି କାହା ତୁଲେ,
କେତେ ବାଟ ଯାଉ କିଏ କାରେ ଛାଡ଼ି ଦୂରେ
ଚାଲିଯାଏ କାହିଁ ପାଇଁ ? ନ ପଚାରି ତିଳେ,
କେ କାରେ ଚାଲିଛି ଖୋଜି ଉନ୍ମନେ ଅଧୀରେ ।
କେ ଫାଟି ଗଲାଣି କିଏ ଫାଟି ଫାଟି ଆସେ,
କେ ଯାଏ କା’ ମାମୁଁଘରେ ଅବା ନିଜ ବାସେ ।
ଗୋଟି ଗୋଟି ହୋଇ ଏ ଯେ କୋଟି ଫୁଟକାଳି
ମରି ହଜି ନାଚି ଖେଳି କାହିଁଛନ୍ତି ଚାଲି ?
ମୁଁ ଯାଆନ୍ତି ସେଇଆଡ଼େ ଯାଉଚୁ ତୁ ଯିବୁ !
କିବା ଦୁଃଖ ଏ ଫୋଟକା ଯେଉଁଠାରେ ନିଭୁ !’’
ମଥାଲୋଇଁ ପାଦତଳେ କରି ନମସ୍କାର
ମୋରେ ଚାହିଁ ଚାହିଁ ତମେ ଅଶୋକ କୁମାର-
ଚାଲିଗଲ ବସଷ୍ଟାଣ୍ଡେ, ବସଷ୍ଟାଣ୍ଡ ଯାଏଁ
ତୁମରେ ଛାଡ଼ିବା ପାଇଁ ମୁଁ ଅଭାଗା ହାଏ-
ଯାଇତ ପାରିଲି ନାଇଁ, ମନ ଘାଣ୍ଟି ହୁଏ,
ଥୁଣ୍ଟାପରି କିପରି ଏ ପ୍ରାଣହୀନ ଗୃହେ-
ଏକାକୀ ରହିଲି ବସି, ବହୁଦିନ ଧରି
ଆଉତ ଫେରିବ ନାଇଁ; ଆପଣାର କରି,
ଏତେ କିମ୍ପା ପର ପରି ହେଲି ମୁଁ ନିର୍ମମ ?
ଆଉଟିକେ ଦେଇଥାନ୍ତି, ମୁହିଁ ଉଦ୍ବୋଧନ,
ଆଉଟିକେ ଚାହିଁ ଥାନ୍ତି ନେତ୍ରେ ନେତ୍ର ଭରି,
ସେନେହ ଆଶିଷ ବୋଳା ଏ ହାତ ତୁମ୍ଭରି-
ଦେହେ ମନେ ଆଣିଥାନ୍ତି, ପରଶି, ମୁଁ ବାରେ,
ଭାଙ୍ଗି ପଡ଼େ ବକ୍ଷ କିବା ଅବଶୋଷ ଭାରେ !
କାହିଁକି କାନ୍ଦୁଚ ଆଗୋ ବିଦେଶୀ ବାଳିକା !
ଚଢ଼ି ମୁଁ ବାଷ୍ପୀୟରଥ ଯିବଇଁ ସୁଦୂରେ,
ଏ କୁଟୀର ଏ ପ୍ରାଙ୍ଗଣ ଏ ବନ ବୀଥିକା
ସାଥେ ତୁମେ ମନେ ପଡ଼ୁଥିବ ମୋର ପୁରେ ।
ପୋଛିଦିଏଁ ଲୁହ ତବ ଆସ ଏଥି ଆସ ।
କିପାଇଁ ଗୋ ଦୁଃଖ ଏଡ଼େ ? କିପାଁ ହାତ ଧରି
କହୁଚ ଯାଅନି ଦେବ ! ଏଠି କେତେ ମାସ-
ରୁହ ତୁମେ, କୁହେ ଏତେ ଅନୁରୋଧ କରି !
ଏ ସେନେହ ବାଳିକା ଗୋ ! ସରଳ ହୃଦୟା
ମୋ ପାଇଁ ରଖିଚ ଆହା ବୁକୁତଳ ଭରି
କେମନ୍ତେ ମୁରୁଛି ତୋରେ ହୋଇ ମୁଁ ନିଦୟା
ଚାଲିଯିବି ଏ ଅଶ୍ରୁର ଡାକଟିକ ଏଡ଼ି !
କେମନ୍ତେ ଚାଲିବି କହ ବୁଜିଦେଇ ଆଖି ?
ସମ୍ମୁଖେ ଯେ ପ୍ରାଣ ଅଶ୍ରୁଭରେ ଡାକି ;
ସବୁତ ଯାଇଛି ତୁମେ ବଞ୍ଚିବ କିପରି ?
ବସିଚ ତୁନିଟି ହୋଇ କପାଳ ଆଦରି-
ବରଷା କାକରେ ଏଇ ନଦୀ ବନ୍ଧ ପରେ,
ଆଖିରୁ ଝରୁଛି ଲୁହ । ଭୋକ ଉପାସରେ
ଭାଳୁଅଛ କାହାକଥା ? ଘରଦ୍ୱାର ଗାଆଁ
ସମସ୍ତ ଯାଇଚି ଚାଲି, ଧାନ ବା ମାଣ୍ଡିଆ-
ଯାହା ଆଳା ଆମଦାନୀ ଯାଇଚି ସକଳ
ତୁମେ ହିଁ ରହିଚ ଧରି ଅସ୍ଥିର ବିକଳ-
ଏଇ ଦେହମନ ତବ । ମରଣରୁ ବଳି
ଏ ଯେ ଦୁଃଖ ଏ ଯେ କଷ୍ଟ ସହିବ କିପରି ?
ପୁଅଝିଅ ଗିରସ୍ତ ବା ଯିଏ ଯହିଁ ଗଲେ ।
ମୋହନ ସଂସାରଟିଏ ନିମିଷକ ପରେ ।
ଛିନ୍ନ ଭିନ୍ନ । ସୀମାହୀନ ଦାରୁଣ ଦୁଃଖର
-ଅନ୍ଧାରେ ପାରିବା ବଞ୍ଚି କେତେ କଷ୍ଟକର ! !
ନାନାକ୍ଷେତ୍ର ନାନାକର୍ମେ ବୁଲିଚାଲି ମୁହିଁ,
ଦେଖିଲଇଁ ଚତୁର୍ଦ୍ଦିଗ ଏ ଧରଣୀ ଭୂଇଁ-
ସୁଖ ଦୁଃଖ ସ୍ନେହ ପ୍ରେମ ମିଥ୍ୟା ଅନାଚାର,
ବିପଦ ଆପଦ ଶାନ୍ତି ଅସନ୍ତୋଷ ଭାର,
ଜୟ ପରାଜୟ ହିଂସା ହତ୍ୟା ଅମାନୁଷ,
ହସ ଖେଳ ବାଦ ବିସମ୍ବାଦ ଅପୌରୁଷ,
ଶତଦ୍ୱନ୍ଦ୍ୱ ଶତବାଧା-ସମସ୍ତ ନିବହି
ଅଙ୍ଗେ ଅଙ୍ଗେ, ଚାଲିଅଛି କ୍ଷଣେ ସ୍ତବ୍ଧ ରହି-
ପାରୁନି ସେ, ପଥପ୍ରାନ୍ତେ । ଯୁଗ ଯୁଗାନ୍ତର-
ଚାଲିଥିବ ଘେନି ତା’ର ଲକ୍ଷ ଅନନ୍ତର;
ଏଇ ମହା ଅନନ୍ତରେ ଆମେ ଢଳି ଢଳି
ଚାଲିଥିବା, ସକଳରୁ ଅମୃତ ଆହରି,
ପାଲଟି କରୁଣା ପ୍ରେମ ଉତ୍ସ ଏ ଭୁବନେ
ମିଶିଯିବା ଆମେ ସେଇ ସାଗର ସଂଗମେ !
ଆମ୍ବ କହୁଅଛି ନିମ୍ବ ତରୁଟିରେ ଠାରି,
ପୃଥିବୀରେ ମା ଆଦର ରହିଅଛି ଭାରି !
ରସୁଆଳ ଫଳେ ତୋଷେ ମୁଁ ସବୁରି ମନ
ଯୁଗେ ଯୁଗେ ମୋ ପ୍ରଶଂସା ଯଶ ଅକଳନ !
ନିମ୍ବ ଯେ ବୋଲଇ ଆମ୍ବ ତରୁଟିରେ ଠାରି,
ଆଜନମୁଁ ନୁହେ ମୁହିଁ ମିଠାଫଳ-ଧାରୀ;
ଆଦରେ ବେଉସା ମୋତେ କରେନି କେ କାହିଁ,
ଲଗାଏନି ବାଡ଼ିଆଡ଼େ ପୁଅ ନାତି ପାଇଁ ।
ବିଧାତା ନିଦେଶେ ଧରଣୀରେ ମୁହିଁ ବଢ଼େ,
ତିକ୍ତ ଫଳ ଯୁଗ ଯୁଗ ଧରି ମୁଁ ଯେ ଧରେ ।
ହେଲେ ମୋ ମହିମା ନୁହ ଅଳପ ଭୁବନେ,
ଆସେ ମନୁଷ୍ୟର ମୁହିଁ ବହୁ ପ୍ରୟୋଜନେ ।
ଲୋଡ଼ାବେଳେ ପ୍ରାଣଭରି କରେ ମୁହିଁ ସେବା
ଆଦର କେ କରୁ ଅନାଦର କରୁ କେ’ ବା !
ଅଛି ଏ କୁଟୀର ଗୋଟି, ତୁମେ କିନ୍ତୁ ନାହଁ,
ଅଛି ଏଇ ଗଛପତ୍ର, ତୁମେ କିନ୍ତୁ ହାୟ-
ଉଭାଇ ଯାଇଚ କାହିଁ ? ଅଛି ଏ ତଡ଼ାଗ
ତୁମେ ନାହଁ । ତୁମ ବକ୍ଷ ପୁଣ୍ୟ ଅନୁରାଗ-
ଅଛି ଭରି ଧରଣୀର ଏଇ ପୁଣ୍ୟ ମାଟି,
କୁସୁମର ଗନ୍ଧପରି ! ତୁମ ସାଙ୍ଗ ସାଥୀ-
ସଭିଏ ଅଛନ୍ତି ! କିନ୍ତୁ ତୁମେ ରହିନାହଁ
ଦେଇଚ ଯେ ଉନ୍ମାଦନା, ମୋହନ ଉତ୍ସାହ-
ସକଳ ରହିଚି ହାୟ ! ତୁମେ କିନ୍ତୁ କାହିଁ
କେତୋଟି ମୁହୂର୍ତ୍ତ ପରେ । ଆଜି ତୁମ୍ଭ ପାଇଁ
ଝୁରି ହୁଏ ମୁହିଁ କିପାଁ ବହୁ ବର୍ଷ ପରେ ?
କେ’ କାହାରେ ଚିରଦିନ ଅନନ୍ତ ବିଶ୍ୱରେ
କେତେ ହେଉଥିବ ଝୁରି । କା ଟିକକ ଦାନ
କା’ ଲୁହ ଭିତରେ ଢଳି, ବିରାଟ ଅମ୍ଳାନ ! !
କ୍ଷୁଦ୍ର ଏଇ ପଲ୍ଲୀଗ୍ରାମେ ଏ ଖଣ୍ଡିକ ଘର,
ସୁଖେ ଦୁଃଖେ ରୋଗେ ଶୋକେ ଆଶ୍ରୟ ମୋହର !
କେତେ କଳି କେତେ ଦ୍ୱନ୍ଦ୍ୱ କେତେ ପରାଭବ,
କେତେ ଯେ ସେନେହ ମାୟା ମୋହନ ବୈଭବ,
କେତେ କା ଜନମ ମୃତ୍ୟୁ ହାସ୍ୟ ଅଶ୍ରୂ ଲୀଳା,
ଅଭାବ ଓ ଅନାଟନ କେତେ ଦୈନ୍ୟ ପୀଡ଼ା,
କେତେ ମାନ ଅପମାନ କିଏ କରିବାର,
କେତେ କାର ଆଧିପତ୍ୟ ଦୁର୍ଲଙ୍ଘ୍ୟ ଦୁର୍ବାର,
ଅତୀତର କେତେ ସ୍ମୃତି କେତେ ଭବିଷ୍ୟର-
ମୋହନ ଆକାଂକ୍ଷା ଫୁଟିବାର ନିରନ୍ତର,
ଚତୁର୍ଦ୍ଦିଗ ପଥ ଘାଟ ବିଲ ବନ ଭୂମି
ଦୂର ପାଖ ବଂଧୁ ଜନ-ସକଳରେ ଚୁମି-
ବିଶାଳ ସଂସାରପରି ରହିଅଛି ପଡ଼ି !
ଏ ମୋ ଘର-ମୋ ଅନ୍ତରଶ୍ୱେତପଦ୍ମ କଳି !
କବିତାର ଚିଠିଟି ମୁଁ ପାଇଛି ତୁମରି,
ସରଳ ଅନ୍ତରୁ ତବ ପଡ଼ିଅଛି ଝରି
ମମତାର ମଧୁତାନ ! ବହୁଦିନ ପରେ-
ମତେ କି ପାରିଲ ବୁଝି ? ବିରାଟ ବିଶ୍ୱରେ
ମୁଁ ଏକ ଦରିଦ୍ର କବି ଚିର ଅବଜ୍ଞାତ,
ସହିଚି ମୁଁ କେତେ କାହା କୁଳିଶ ସଂଘାତ ।
ମରୁପଥ ଯାତ୍ରୀ ପରି ବୁଲିଚି ଏକାକୀ,
ମୋ ଡାକ ଶୁଭେନା କାରେ ଲକ୍ଷେ ଡାକି ଡାକି;
ଅଲୋଡ଼ା ଏ ଜୀବନରେ ତୁମ କବି ପ୍ରାଣ
ମୋହଲାଗି ଆନ୍ଦୋଳିତ, ବିକ୍ଷୁବ୍ଧ-ଏମାନ
ପରମ ସୌଭାଗ୍ୟ ମୋର, ମୋର ଯାତ୍ରାପଥେ
ତୁମରି କବିତ୍ୱମୟ ସ୍ମୃତିଟିକ ମତେ-
ଦେଉଥିବ ସୀମାହୀନ ସେନେହ କଲ୍ୟାଣ,
ସବୁମଳି ଧୂଳି ଉର୍ଦ୍ଧ୍ୱେ କବିର ଆସ୍ଥାନ !
ପଚାରନ୍ତି ମୋହ କଥା ଦେଖିଲେ ତୁମରେ
ସେ କେଉଁ ସୁଦୂର ଭୂଇଁ, ଯହିଁ ମୁହିଁ ଥରେ-
ରହିଥିଲି ବରଷେ ବା ଦୁଇ ବର୍ଷ କାଳ,
ସଭିଙ୍କୁ ସେନେହ ଦେଇ କରି ଆପଣାର ।
ସେମାନେ କେଉଁଠି କିଏ ରହିଥିବେ କାହିଁ ?
ସୁଖେ ଦୁଃଖେ କେତେ ଆଶା ଆକାଂକ୍ଷା ଖେଳାଇ;
କାହାର ଅଭାବ ଥିବ, କାହା ଅଶ୍ରୂଧାର
ଚତୁର୍ଦ୍ଦିଗେ ଦେଖିୁଥିବ ନିରାଶା ଅନ୍ଧାର;
କିଏ କାହିଁ ସାଧନାର ସ୍ୱର୍ଣ୍ଣ-ଦୀପ ଜାଳି
ଚାହିଁ ଥିବ ଗଉରବେ, କିଏ କୁଦିମାଡ଼ି-
ଗଲାବେଳେ ପଥ ପ୍ରାନ୍ତେ ଝୁଣ୍ଟି ବାର ବାର
ପଡ଼ିରହିଥିବ ବାରେ ନୋହି ଆଗୁସାର;
କା’ ଅନ୍ତର ବୀଣାତାନ ବାଜଛି କି ଭଳି
ମୋ ଲାଗି ମୂର୍ଚ୍ଛନାଟିଏ ଯାଉଚି ତ ଢଳି !
ମତେ ଆଜି ଦେଇଅଛ ଯେ ଅଭିନନ୍ଦନ,
ଆଜି ଏ ନୂତନ ବର୍ଷେ ଭରି ପ୍ରାଣ ମନ,
କରୁଚି ଗ୍ରହଣ ସଖା ! କିନ୍ତୁ କାହିଁପାଇଁ
ଏ ଦରିଦ୍ର ଅଭାଗାରେ ସୁଧା-ନେତ୍ର ଚାହିଁ
ରହିଅଛି ବହୁଦିନୁ । ବହୁ ମାସ ପରେ
ଅଭାବ ବେଦନା ଦୁଃଖ ଝଡ଼ଝଞ୍ଜା ଖରେ-
ବହି ଯାଉଥିବା ବେଳେ, ଗୁରାଣ୍ଡିରେ କାଲି-
କାର୍ଯ୍ୟରେ ଦେଇଚି ଯୋଗ । ରାଜ କର୍ମଚାରୀ
ବୁଝିଲେନି ମୋର ଦୁଃଖ, ମୋର ନିବେଦନ;
ମନୁଷ୍ୟ ତାଙ୍କଠି ନାଇଁ, ବିବେକ ଦଂଶନ-
କରେନି ତାହାଙ୍କୁ କେବେ । ଗଭୀର ଦୁଃଖର
ଯିଏ ନୁହେ ଧରଣୀରେ ସାଥି ସହଚର-
ବିରାଟ ପ୍ରାଣର ବହୁଦୂରେ ତାଙ୍କ ସ୍ଥିତି
ତାଙ୍କଠୁ ଜନ୍ମିଚି ବିଶ୍ୱେ ସକଳ ଦୁର୍ନୀତି !
ରହିଚ ଏ ପଥପାର୍ଶ୍ୱେ ନୀରବ ଧିଆନେ,
ଦେଖୁଅଛ ଅଗଣନ ଯାତ୍ରୀ କେତେ କାମେ
ଯାଉଛନ୍ତି ଆସୁଛନ୍ତି, କିଏ କେତେ ଦୂର
କାହା ଓଠେ ହସ, କାହା ନେତ୍ରେ ଭରପୂର
କୋଟି ବିନ୍ଦୁ ଉଷ୍ଣ ଲୁହ । କାହା ବୁକୁ ତଳେ
ସୁନେଲି ସ୍ୱପନ ଫୁଟେ । ଅନନ୍ତ ଆଦରେ
କେ’କାରେ ଆଶ୍ଳେଷ ଦିଏ, କିଏ ଚାଲିଚାଲି
ଆଉ ପାରୁନାଇଁ ଚାଲି, କିଏସେ ସନ୍ତୁଳି-
ହୋଇ କୋଟି ଦୁଃଖେ ଚାଲେ ନିରାଶ ଲୋଚନେ,
ଏ ସବୁ ଦେଖୁଚ ତମେ ଅନନ୍ତ-ସପନେ
ବୁଡ଼ିରହି; ଧରଣୀର ଏ ବିଶାଳ ପଥେ
ଚାଲି ଚାଲି ସୁଖେ ଦୁଃଖେ ଆପଦ ବିପଦେ
ମୁଁ ଶେଷେ ପାଲଟିଯାନ୍ତି ମାଇଲ ପଥର
ବିଶ୍ୱ ସୁଖେ ଦୁଃଖେ ଢାଳି ନିଜଟିକ ମୋର !
ସାୟାହ୍ନ ବିହାରେ ଯେବେ ଦୂର ପରବାସେ
ଆଖୁଶାଳେ ବୁଲିଥିଲି ଏକାକୀ ଉଦାସେ,
କିଏ ସେ ଅପରିଚିତା ପକାଇ ମସିଣା
କହିଲା ସହାସେ ‘ଏଠି ବସିଯାଅ କିନା’ !
ତପ୍ତ ଓ ତରଳ ଗୁଡ଼ ନାଲି ଟହଟହ
ମଧୁଗନ୍ଧେ ବାସୁଚି ସେ ହୋଇ ମହମହ,
ସଢ଼େଇ ଟିକରେ ଆଣି ଥୋଇଦେଲା ପାଶେ,
ପକାନ୍ତୁ ପାଟିରେ ବୋଲି କହିଲା ସହାସେ ।
ଫେରିବାର ବେଳେ ହାତେ ଆଖୁ ଧଣ୍ଡାଟିଏ
ଦେଇ ମୋରେ ଆଖୁଶାଳେ ଲୁଚିଗଲା ସିଏ ।
ଏଇ ଆଖୁ ଏଇ ଗୁଡ଼ ସକଳରୁ ବଳି
କି ମିଠା ପରାଣ ସେହୁ ମଞ୍ଚେ ନାଇଁ ଧରି ?
ଆପେ ଯାଚି ଯାଚି ଦେଇ ପାରିବ କି ଦାନ ?
ଚିରଦିନ ମିଠା ନୁହେ ଯା ମନ ପରାଣ !
ଆସିବ ଆସିବ ତୁମେ ବହୁଦିନ ପରେ
ଦେଖିବ ତୁମରି ଏଇ ପ୍ରିୟ ଜନ୍ମମାଟି,
ଦେଖିବ ଏ ବିଲ ବନ ପାହାଡ଼ ପ୍ରାନ୍ତର
ଦେଖିବ ଏ ଗାଆଁ ଗଣ୍ଡା ଲଟା ବୁଦା ଘାଟି,
ଆସିବ ଆସିବ ତମେ ଆସିବ ନିଶ୍ଚୟ
ଲୁହରେ ପଖାଳି ଏଇ ବିଲ ବନଭୂଇଁ,
ଫେରିଯିବ ଫେରିଯିବ ସବୁ ଚାହିଁ ଚାହିଁ
ଦେଖିବନି ନନା, ବୋଉ, ଭଉଣୀ ବା ଭାଇ !
ଦେଖିବନି ଗାଇଗୋରୁ ଘର ବା ଦୁଆର,
ଭାତ କଂସା ବାଢ଼ିଦେଇ ସେନେହ ଆଦରେ
କେ’ ଡାକିବ ? କାହା ଡାକ ଶୁଣିବତ ନାଇଁ !
ବିକ୍ଷତା ହରିଣୀ ପରି ଚାଲିଯିବ ଘରେ;
ଆସିକ ଆସିବ ଆସିବ ତୁମେ ଆସିବ ଆସିବ,
ତୁମପାଇଁ ତୁମେ ଏକା କାନ୍ଦିବ ହସିବ ।
ଲେଖାଟି ହଜାଇ ଦେଲେ ! ଅନନ୍ତ ଆଦରେ
ଯାହାରେ ମୁଁ ରଖିଥିଲି ଗଣ୍ଠିଧନ କରି,
ତାର ପ୍ରତିରୂପ ଯେବେ ନ ପାଇବି ଥରେ
ଶ୍ମଶାନ ଚିତାରେ ମୋରେ ପୋଡ଼ିଦେଲା ପରି-
ଲାଗିବ ଲାଗିବ ବନ୍ଧୁ ! ମନେହୁଏ ଆଜି
ଦେଇ ମୁଁ ନଥାନ୍ତି ମୋର ସବୁ ଲେଖା ରାଜି
ପୁସ୍ତକ ଆକାରେ ହେଲେ ନୋହିଥାନ୍ତା ଛାପା
ପାଖେ ରଖି ଦେଖୁଥାନ୍ତି ହେଲେ ଦିନରାତି !
ରକ୍ତ ଢାଳି ଯାରେ ମୁହିଁ ଅଛି ଜନ୍ମ ଦେଇ,
କେମନ୍ତେ ରହିବି ଥିର ନ ଦେଖିଲେ ତାରେ ?
ତାରେ ଯେବେ ପାଶେ ମୋର ନ ଆଣିବେ କେହି
ଲୀନ ହେବି ଥିବ ସିଏ ବିଶ୍ୱ ଯେଉଁଆଡ଼େ ।
ମୋର ଭାଷା, ମୋର ଭାବ, ମୋହର ଅନ୍ତର,
ଯହି ରେ ରହିଚି, ସେ ଯେ’ ମୋର ରୂପାନ୍ତର !
କି କଥା ପଚାର ବୁଢ଼ି ଦୋଦୋପାଞ୍ଚ ହୋଇ
ତିରିଶି ବରଷ ତଳେ ଦେଖିଥିଲ ମୋରେ,
ମୁଁ ଯେ ସେହି ସୁଖେ ଦୁଃଖେ ରହିଚି ଏ ମର୍ତ୍ତ୍ୟେ
କାହାରେ ଖୋଜୁଚ ତମେ ଚାହିଁ ନେତ୍ର ଡୋଳେ ?
କି କଥା ପଚାର ବୁଢ଼ି ଗୋଟି ଗୋଟି କରି ।
ଲୁହ କିପାଁ ଢଳିଆସେ କାହାର ସ୍ମରଣେ ?
ସଭିଏ ତାଙ୍କର ଯାଇଛନ୍ତି ମରିହଜି,
ରହିଛି ଭଉଣୀଟିଏ, ଭାଇ ଅଛି ଜଣେ ।
କି କଥା ପଚାର ବୁଢ଼ି ? ବିଲ ବାଡ଼ି ଘର
ସବୁ ଥିଲା କିଏ ନେଇ, ବୁଲାଇଲା କଳା
‘କିଏ ହେଲେ ଅଛନ୍ତି ତ, କେଉଁ ବନସ୍ତରେ’
କି ଆଶ୍ୱସ୍ତି ଏ ଯେ ତବ, ଲୁହ ଲହୁ ଭରା !
କି କଥା ପଚାର ବୁଢ଼ି ! ତୁମ ଅଶ୍ରୁ ଜଳ
ମନର ମନୁଷ୍ୟ ଧରି କେହ୍ନେ ଢଳଢ଼ଳ !
ଯିଏ ଯହିଁ ଚାଲିଗଲେ ଯାଇନି ମୁଁ ଚାଲି,
ଏ କୁଟୀର ମତେ କିପାଁ ଲାଗେ ଖାଲି ଖାଲି ?
ଟିକିଏ ଚାହିଁଲେ ଚତୁର୍ଦ୍ଦିଗ ନେତ୍ର ଭରି
ଦେଖେ ସେଇ ବନ ବିଲ ଶ୍ୟାମଳ ଶିଖରୀ ।
ଦେଖେ ସେଇ ରାଜପଥ-ଯାତ୍ରୀ ଅଗଣନ ।
ଦେଖେ ଶିରେ ନୀଳନଭ ନୀଳିମ ଅଙ୍ଗନ
ଦେଖେ କେତେ ସନ୍ଧ୍ୟା ଉଷା ଦୀପ୍ତ ଦ୍ୱିପ୍ରହର
ଏ ସବୁ ଭିତରେ କିନ୍ତୁ କିଆଁ ମୋ ଅନ୍ତର
ଯେତେ ଗୋଳି ହୋଇଯାଏ, ସେତେ କିପାଁ ଲୋଡ଼େ
କିଏ ଜଣେ ରହିଥାନ୍ତେ, କି ଅଧିକ ମୋରେ
ଲାଗୁଥାନ୍ତା ! ଧରଣୀର ପ୍ରତି ଧୂଳି ମାଟି
କା’ଲାଗି ମୁଁ ସର୍ବହରା ପରି ଦିନ କାଟି
ଚାଲୁଚି ନୀରବେ ଏକା । କା’ ଅଭାବ ଲାଗି
ସବୁଜ ପ୍ରକୃତି ପରି ଉଠୁନି ମୁଁ ଜାଗି !
ତୁମ ସ୍ମୃତି ବେଳେ ବେଳେ ହୃଦୟ-କପାଟେ
କାହିଁକି ଆଘାତ କରେ ଯାଉଁ ବାଟେ ଘାଟେ,
ତୁମରି ସାନ୍ନିଧି କିପାଁ ଲୋଡ଼ିବସେ ମୁହିଁ
ଏଡ଼େ ଆପଣାର ତୁମେ ଏ ଧରଣୀ ଭୂଇଁ-
ଜାଣି ତ ନଥିଲା, ମୁହିଁ ନଥିଲି ତ ଜାଣି
ପ୍ରନିନିତି ଚାହେଁ ତୁମ ହୃଦ-ମଧୁ-ବାଣୀ-
ଶୁଣୁଥାନ୍ତି । ତୁମ ପାଇଁ ମୋ ଅନ୍ତର ତଳ
ଉଚ୍ଛନ୍ନ ଉତ୍ଥଳ ଏତେ ଆକୁଳ ବିକଳ-
ହେବ ବୋଲି ସ୍ୱପ୍ନେ ତିଳେ ନାହିଁ ଥିଲି ଭାଳି,
କି ଶିରୀ ଦେଇଚ ମୋରେ ? ପାରୁନି ମୁଁ ଛାଡ଼ି
ତୁମରି ବନ୍ଧନଟିକ ପ୍ରାଣ ବିମୋହନ,
ତୁମେ ତ ରହିଲ ହୋଇ ଚିର ଗଣ୍ଠିଧନ-
ଜୀବନର ଯେଉଁ ପାରେ ତୁମେ ଥାଅ ରହି,
ମୋ ଲାଗି ଅମୃତ ପାତ୍ର ଅଛ ଯେହ୍ନେ ବହି !
ବୁକୁଚିରି ବ୍ୟଥାଭାର କହିବାକୁ ଗଲେ
ଦେଖୁଥିବି କିଏ ନାଇଁ ଏ ମଞ୍ଚମଣ୍ଡଳେ,
ସୀମାହୀନ ହତାଶାରେ ତଳେ ଗଲେ ପଡ଼ି
ଦେଖୁଥିବି କିଏ ନାଇଁ ମତେ ଦେବ ଧରି ।
ପ୍ରତି ଅଙ୍ଗ ମୋର ଯେବେ ଯାଉଥିବ ଥରି
ପାଇ ଶତ କକର୍ଥନା, ମୁଁ ଯେ ନେତ୍ର ଭରି-
ଦେଖୁଥିବି କେହି ଜଣେ ଦୟାଳୁ ଅନ୍ତର
ଆସୁନି ପରଶି ଯିବ ସାନ୍ତ୍ୱନାର କର ।
ବେଶୀ ବେଶୀ ଦୁର୍ବିସହ ହେଲେ ମୋର ବ୍ୟଥା
ଦେଖୁଥିବି କେହି ମୋରେ କହୁନାଇଁ କଥା;
ପାଷାଣରୁ ବଳି ସର୍ବେ ମୂକ ମୋହପାଇଁ
ମୋର ଯେହ୍ନେ ଧରିତ୍ରୀରେ ସ୍ଥାନ ଲବେ ନାଇଁ !
ଯାଇଚ ଯାଇଚ ତମେ ଚିରଦିନ ଛାଡ଼ି
ଚିରଦିନ ରହିଥିବି ଏଥି ମନମାରି ! !
ଯାଉଚ କୁଟୀରେ ତୁମେ ! ଯାଅ କିନ୍ତୁ ମତେ
ଲେଉଟି ଚାହିଁବ ନାହିଁ ? ମୋ ଦରିଦ୍ର ପଥେ-
ମୋର ସୁଖ ଦୁଃଖ ନେଇ ଚାଲିଥାଏ ମୁହିଁ
ଜୀବନେ ଯା’ ଦେଇଚି ମୁଁ ଯାଇଚି କି ଛୁଇଁ-
ଗଭୀର ମରମ ତବ ? ଜାଣିଛ କି ମତେ
ହୃଦଭରି ଦେଖିଚ କି ଅନନ୍ତ ଜଗତେ
କି ମୋହନ ସୁଧା-ସ୍ନିଗ୍ଧ ଚାହାଣୀଟି ଭରି
ଦେଖିଚି ତୁମରେ ମୁହିଁ ଦିନ ଦିନ ଧରି-
ଏଇ ମୃତ୍ତିକାର ପ୍ରତି ରେଣୁ ରନ୍ଧ୍ର ତଳେ
ତୁମେ ତୁମେ ଫୁଟିଉଠ ଅମୃତ ରୂପରେ,
ମୁଗ୍ଧ କରି ଦେହ ମନ ଦରିଦ୍ର-କବିର;
ଯାଅ ତୁମେ । ମୋ ଆଖିର କୋଟି ଅଶ୍ରୁନୀର-
କିଏ ସେ ପାରିବ ପୋଛି ? ତୁମ କାନ୍ତ କର-
ବିନେ ମୁହିଁ ନିଃସହାୟ ନିଃସ୍ୱ ଓ ନିର୍ବଳ !
ମୁଁ ଯେବେ ରହିଲି ଚାହିଁ ସେ ଚାହିଁଲା ମତେ;
ସେ ହସିଲା ମୁଁ ହସିଲି ଗୋପନେ ଉଷତେ,
ସେ ପୁଣି ଚାହିଁଲା ମୋରେ ମୁଁ ଚାହିଁଲି ତା’ରେ
ହସିଲା ସରମେ ସିଏ ଆଡ଼ବାଙ୍କେ ବାରେ ।
ଅନନ୍ତ ସେନେହ ଭରା ହସଟିଏ ବାଢ଼ି
ଟିକିଏ ମୁଁ ଚାହିଁ ଆଉ ଚାହିଁଲିନି ପାରି,
ମଥାଟେକି କି ସେନେହ ସନମାନ ଭରି,
ହସି ହସି ଚାହିଁଲା ସେ ପୁଣି ଆଗ ପରି
କେତେବେଳ ଏହିପରି ହୃଦ ଦିଆନିଆ-
ହସେ ହସେ ଫୁଟି ଉଠି ମୁଗ୍ଧ କଲା ହିଆ;
ବିଦାୟର ବେଳ ହେଲା ଯିବଇଁ ମୁଁ ଚାଲି
ଚାହିଁଲା ସେ ପୁଣି ସେଇ ହସଟିକ ଢାଳି,
ମୋ ଟିକକ ହସ ଦେଇ ତାରେ ଚାହିଁ ଚାହିଁ
ଫେରୁଚି; ତା’ ଓଠୁ ସେଇ ହସ ନିଭିନାଇଁ ।
ପୃଥିବୀର ଝଡ଼ଝଞ୍ଜା ବାର ବାର କରି
ମୋରେ ଯେବେ କ୍ଷୁବ୍ଧ କରେ, ସୋହାଗେ ସନ୍ତରି
ପାରେ ନା ମୁଁ ଯେବେ ଏଇ ମହାସିନ୍ଧୁ ଜଳେ,
ନେତ୍ରପ୍ରାନ୍ତୁ ଅଶ୍ରୁ ଯେବେ ଝର ଝର ଝରେ,
ଚତୁର୍ଦ୍ଦିଗେ ଚାହିଁ ରହେ ହତାଶ ନୟନେ,
ସେତେବେଳେ ଏ ଅନ୍ତର ତୁମରି ଅୟନେ
ଦୂର ଦିଗ୍ବଳୟ ତୀରେ କେତେ ଖୋଜି ବୁଲେ !
ମୁଁ ଯେବେ ଥାଆନ୍ତି ରହି ଆଜି ତୁମ ତୁଲେ
କି ସେନେହ ସନମାନ ପାରୁଥାନ୍ତି ପାଇ
ମୋ ଲାଗି ଧରଣୀ ଶୂନ୍ୟ, ବୁଝିବାର ପାଇ
ମତେ ଏଥି କେହି ନାଇଁ । ପ୍ରତି ପଦ ପାତେ
ଲୋଡ଼ିହୁଏ, ତୁମେ ହେଲେ ରହିଥାନ୍ତ ସାଥେ
ପ୍ରାଣର ନିଧିଟି ପରି । ହରାଇ ତୁମରେ
ହରାଇଚି ନିଜରେ ମୁଁ ପ୍ରତି ମୁହୂର୍ତ୍ତରେ ।
ପାଇଚି ତୁମରି ପତ୍ର ଆଜି ଆଦ୍ୟ କରି,
ଯାହାଲାଗି କେତେଦିନ ଥିଲି ଅନୁସରି ।
ଭାଳୁଥିଲି ଚିଠିଖଣ୍ଡେ ଦେଲେ ନାଇଁ ହାୟ
କେତେ ଦିନ ରାତି ସନ୍ଧ୍ୟା ବିତିଗଲା ପ୍ରାୟ
ଚଳଚିତ୍ର ପରି ମୋର ନୟନ ସମ୍ମୁଖେ,
ତଥାପି ଥିଲି ମୁଁ ଚାହିଁ ବିରାଟ ଉତ୍ସୁକେ
ପୂରିଚି ପରାଣ ଆଶା; ଜୀବନ ସାରାଟି-
ବିତିଗଲେ, ଲେଖିଅଛ ପାରିବନି କାଟି-
ମୋ ତୁଲେ ବନ୍ଧନ ଡୋରି । ପାରିବନି ଦେଇ
ମୋ ପ୍ରେମର ପ୍ରତିଦାନ, ଏ ପଦିକ ନେଇ-
ମୁଁ ଦେଖୁଚି ମଧୁସ୍ୱପ୍ନ । କାହା ଓଠ ବାଣୀ
ମତେ ହିଁ ରଖିଚି ବାନ୍ଧି ବିଶ୍ୱେ ଦିବା ଯାମୀ
ଆନନ୍ଦ ଓ କଲ୍ୟାଣର ରଚି ମଧୂତାନ,
କା’ ଲାଗି ମୁଁ, ମୋହଲାଗି ଜାଗେ କାର ପ୍ରାଣ ।
ଏ ପୃଥିବୀ ମୋରେ ଯେବେ ଦେଇଛି ଆଡ଼େଇ
ଗର୍ବ ଆଉ ଅବଜ୍ଞାରେ; କାନ୍ତ ଓଠ ଫେଇ-
ମୋରେ ପଦେ କହିବାକୁ ଜୀବନର ବାଣୀ-
ଯେବେ ସଙ୍କୁଚିତ । ମୁହିଁ ହତଭାଗା ପ୍ରାଣୀ-
ମୁଦ୍ରିତ କଳିକା ପରି ରହିଅଛି ପଡ଼ି,
ସେତେବେଳେ ତୁମେ କିଏ ସଚଞ୍ଚଳ କରି-
ମୋରେ ଫୁଟାଇଚ ଦେଇ ବର୍ଣ୍ଣ ଗନ୍ଧ ରସ,
ଦେଖିଚ ମୋ ଶୀର୍ଣ୍ଣ ଓଠେ ମଧୂସ୍ରାବୀ ହସ !
ଦେହେ ମନ ଚେତନାର ବିଦ୍ୟୁତ ଚମକ;
ପୃଥିବୀର ଅବହେଳା ନିଷ୍ଠୁର ଧମକ-
ନିମିଷକେ ହୋଇଅଛି ସବୁ ଅନ୍ତର୍ଦ୍ଧାନ
ପରାଜିତ ଶତ୍ରୁସମ । ତୁମରି କଲ୍ୟାଣ-
କର ସ୍ପର୍ଶେ ଉଠିଚି ମୁଁ ଉଠିବାର ପରି,
ଆଉ କି ଅଧିକ ମୋରେ ଦିଅନ୍ତ ବା ଭରି !
ଚନ୍ଦ୍ର ମତେ କଥା କହେ କଥା କହେ ତାରା,
କଥା କହେ ବନକୁଞ୍ଜ ତଳେ ନଦୀ ଧାରା ।
କଥା କହେ ବନ ବିଲ ପାହାଡ଼ ପ୍ରାନ୍ତର,
କଥା କହେ ନୀଳକାନ୍ତ ଶଇଳ ଶିଖର
ଦୁବ ଘାସ ଲଟା ଗୁଳ୍ମ ପଥେ ପଥଧୂଳି,
କହିଯାନ୍ତି କେତେ କଥା ଅନନ୍ତ ମାଧୂରୀ-
ଢାଳି, ପ୍ରତି ମୁହୂର୍ତ୍ତରେ, ଦିନ ଆଉ ରାତି
କହିଯାନ୍ତି କେତେ କଥା ଭରି ମୋର ଛାତି ।
ଆସି କେଉଁ ଅସୀମରୁ ଭୋଗବାଜି ବତ
ସମସ୍ତ ଅନନ୍ତ ବିଶ୍ୱ ମୋ କାନେ ନିୟତ-
କଥା କହେ ଅସରନ୍ତି, ଶୁଣେ କାନ ପାରି;
ଏ ସବୁ ମୁଁ ଶୁଣୁଥାନ୍ତି, ନ ଯାଆନ୍ତି ଛାଡ଼ି ।
ଅନନ୍ତ ଓଠର କଥା ସମ୍ପଦ ଭିତରେ
କହୁଥାନ୍ତି କଥା ମୋର କାହା କାନ ତଳେ !
କହିଲି ସେ’ଦିନ ମୁହିଁ ରେଡ଼୍ ବ୍ଳୁ ପେନ୍ସିଲ,
ଦେଇଚ ଯା’ ଲେଖିବାରେ ହେଉଚି ମୁଷ୍କିଲ
କାଠପରି ଶୁଷ୍କ ଆଉ କଠିନ ସେ ଶିଶା
ନ ଆଣିଥିବା ଭଲଥିଲା । ଅଳପ ପଇସା
ଦେଲେ ମିଳେ କାଣୀ କୁଜି ମାଇପ ବହୁତ
ଗୁଜୁରାଣ ମେଣ୍ଟିବାରେ । ତୁମ ହାତରୁତ-
ଦେଉନାହଁ ଏକ ବୋଡ଼ି । କୁଣ୍ଠିତ କିପାଇଁ
ସୁନ୍ଦର ଚିକ୍କଣ ପେଁସିଲ ଆଣିବାର ପାଇଁ ?
ପାଇଲି ଉତ୍ତର-କାମ ଯିବିନିକି ଚଳି
ଦାମ ୟାର କଣ କମ୍? ପାରିବନି କଳି,
ଚାରଣାର ପେଁସିଲ ଏ ? ଏ ହବ ଆଠଣା ।
ଆମ ଆଖେ ଧୂଳି ଦେବା ତୁମକୁ ତ ଜଣା-
ବିଚାରିଲି, ଅର୍ଥଗୃଧ୍ନୁ ପିଶାଚର ପ୍ରାଣ
କୁଣ୍ଠିତ ଶୁଣିବା ଲାଗି ବିଶ୍ୱ-ମଧୁତାନ !
ନିଅ ମୋ ଇସ୍ତଫା ପତ୍ର ନିଅ ବନ୍ଧୁଗଣ
ରହିବାକୁ ଚାହେଁ ନାଇଁ, ସକଳ ବନ୍ଧନ-
ଛିନ୍ନ ଆଜି ଯାଉ ହୋଇ; ପ୍ରିୟ ଛାତ୍ରଦଳ
କାହିଁକି କାନ୍ଦୁଚ ଏତେ ? ମୁଁ ଆଉ ତୁମର-
ଭିତରୁ ମମତା କେବେ ଯିବ ନାଇଁ ଚାଲି;
ଏ ଯେଉଁ ବହୁଚି ଲୁହ କେମନ୍ତେକେ ଛାଡ଼ି-
ପାରିବ କିଭଳି କହ ? ରହନ୍ତି କିଭଳି
ଯେଉଁ ପରିଚାଳନାରେ ରହିଅଛି ଭରି-
ଖାଲି ବିଷ କଞ୍ଚା ବିଷ ଅତି ମାରାତ୍ମକ
କେତେ ଆଶା ରଖିଥିଲି, ସବୁ କି ସାର୍ଥକ
ଏଥି ମୁଁ ପାରିଲି କରି ? ବଡ଼ କଷ୍ଟ ଲାଗେ
କେହି ଯେବେ ବୁଝେ ନାଇଁ ଏ ଧରଣୀ ଭାଗେ
ଘର୍ମ ଢାଳି କରିବାର ପ୍ରାଣାନ୍ତକ ଶ୍ରମ
ନିଅ ମୋ ଇସ୍ତଫା ପତ୍ର ନିଅ ବନ୍ଧୁଗଣ !
କାହା ପାତ୍ରେ ଦେଲି ମୁହିଁ ସୋହାଗେ ଅଜାଡ଼ି
ଜୀବନର ମଧୁଟିକ ଥର ଥର କରି,
କିଏ ସେ ମୋ ଜୀବନର କି ଅମୂଲ୍ୟନିଧି
ଚାହିଁ ବସିଥିଲି କାରେ କୋଟି ଯୁଗ ଧରି;
କି ମୋହନ ସ୍ୱପ୍ନ ସିଏ କେଉଁଠାରୁ ଆସି
-ଥିଲା ଯେବେ ମୋହଲାଗି, ଏ ଧରିତ୍ରୀ ଗେହେ
ରୋମାଞ୍ଚ ଉପୁଜି ଉଠେ ଦେହେ ମନେ ନିତି
ଯେବେ ସିଏ ଚାହେଁ ମୋରେ କ୍ଷଣିକ ସେନେହେ
କିଭଳି ଦିଅନ୍ତି ନାଇଁ ସର୍ବସ୍ୱ ମୁଁ ତାରେ ?
କିଭଳି ମୁଁ ଗାଆନ୍ତିନି ତା’ର ଜୟଗାନ ?
ଟିକକ ପରଶେ ଯାର ଉଠଇ ମୁଞ୍ଜରି
ଏ ସର୍ବାଙ୍ଗେ ସ୍ୱପ୍ନବୋଳା ଅମୃତର ପ୍ରାଣ !
ତୁମେ କି କରୁଚ ଈର୍ଷା ? ମୋ ସର୍ବସ୍ୱ ଦାନେ ?
ମୋ ବକ୍ଷେ ଜାଗିବ କିଏ ଏତେ ମଞ୍ଜୁ ତାନେ ?
କେତିକି ପାରିଚ ତମେ ଫୁଟି ଆପେ ଆପେ
ସେଇ ତବ ଗଉରବ ପରମ ସମ୍ମାନ !
ଆଉ ଯେବେ ଫୁଟି ଫୁଟି ପାର ଫୁଟି ଉଠ
ସହି ସବୁ ଝଡ଼ ଝଞ୍ଜା ମାନ ଅପମାନ,
କଅଁଳିନି ପକ୍ଷ ଯା’ର ଯିଏ ଖଣ୍ଡି ଉଡ଼ା
ଦେଇ ଦେଇ ନିମିଷକେ ତଳେ ଯାଏ ପଡ଼ି
ପର କେତେ ଖଞ୍ଜିଦେଲେ ଆସିବ କି ବଳ ?
ଉଡ଼ିବ କି ଅନ୍ତରୀକ୍ଷେ କୁଆ ଶୁଆ ପରି !
କେତେ ଆଶା କରି ମୋତେ ଦେଇଛ ଉତ୍କୋଚ
ଆଜନମୁ ଏଇ ହାତ ଯାହା ପରଶିନି
ଦେହ ମନ ଥରି ଉଠେ ହାୟ ମୋର ଦେଶ
ଶିଶୁଠୁ ମଣିଷଯାଏ, ରସାତଳଗାମୀ !
ଏ ନିର୍ଲଜ ପ୍ରାଣ ଧରି ହେବାଠାରୁ ବଡ଼
ମୃତ୍ୟୁ ବରଂ ଶ୍ରେୟସ୍କର ଶତ ଶ୍ରେୟସ୍କର !
ଯୋଜନ ଯୋଜନ ପାରେ ସେ କେଉଁ କୁଟୀରେ
ସବୁଜ ବନାନୀମେଳେ ଝରଣାର ତୀରେ,
ରହିଥିବ, ମୁକୁଳାଇ, ମୁଗ୍ଧ ଯଉବନ,
ଦେଖୁଥିବ ଦିନ ରାତି ସୁନେଲି ସପନ ।
ହସୁଥିବ ଓଠ ତଳ କୋକନଦ ପରି
ସେ ଦୂର ବିଜନ ଭୂଇଁ ତୁମରେ ଗୋ ଧରି,
ଭାଗ୍ୟବତୀ ମଣୁଥିବ; ମୁଁ କିପାଁ ତୁମରେ
ବୁକୁତଳେ ଅନୁଭବେ ପ୍ରତି ମୁହୂର୍ତ୍ତରେ ?
ତୁମ ଓଠ ମୋରେ କିପାଁ ଏତେ କଥା କହେ ?
ତୁମ ଆଖି ମୋରେ କିପାଁ ଏତେ ଚାହିଁ ରହେ ?
ତୁମ ବୁକୁ ମୋ ବୁକୁରେ ଏତେ କିପାଁ ଦିଏ
ମୋହନ ପରଶ ବୋଳି, ତୁମେ ମୋର କିଏ ?
ଯୋଜନ ଯୋଜନ ପାରେ ମୁଁ କିଏ ତୁମର ?
ଗୋଟିଏ ଅମୃତ କ୍ଷୁଧା ଜନ୍ମ ଜନ୍ମାନ୍ତର !
ଦୂର ଦେଶେ ଦୂର ପଥେ ରହିଲ ତ ତମେ
କେତେ ବିଲ ବନ ପାରେ ସେ କେଉଁ ଭୁବନେ !
ଇଚ୍ଛା ହୁଏ ବେଳେ ବେଳେ, ଯାଆନ୍ତି ମୁ ଚାଲି !
ରହନ୍ତି ତୁମରି ତୁଲେ, ଏଥି ମନ ମାରି-
କେମନ୍ତେ ରହିବି ଏକା ? କ୍ଷୁଦ୍ର ଜୀବନର
ଯେତେ ଯାହା ସୁଖ ଦୁଃଖ ହାସ୍ୟ ଲୋତକର-
ଅସର କାହାଣୀ, କିଏ ଶୁଣିବ ମୋହରି ?
କାହାର ଅନ୍ତରଟିକ, ରସସିକ୍ତ କରି
ରଖିଚି ମୋ ଲାଗି କିଏ ଚଉଦ ଭୁବନେ,
ରଖିଥିଲେ ରଖିଥିବ ତୁମେ ଏକା ଜଣେ !
ବସିଥିଲେ ବସିଥିବ ତୁମେ ମୋରେ ଚାହିଁ
ଖୋଜୁଥିଲେ ଖୋଜୁଥିବ, ଚିରଦିନ ପାଇଁ;
ଡାକୁଥିଲେ ଡାକୁଥିବ, ଅସରନ୍ତି ଡାକ,
ବିତିଗଲେ ବିତିଯାଉ ଜୀବନଟା ଯା’କ
ବହୁ ଦିନ ବହୁ ଯୁଗ ବହୁ ବର୍ଷ ପରେ
ଆସିବେ ପଥିକ ଦଳ, ଏ ପଥ ପାର୍ଶ୍ୱରେ-
ରହି ରହି ଚାହିଁ ଚାହିଁ ଯିବେ ପାଦ ଚାଲି,
ଦେଖୁଥିବେ ଏଇ ହ୍ରଦ ଉର୍ମିମାଳେ ଢାଳି,
ବିମୁଗ୍ଧ ଚାହାଣି; ଚାଲେ ନାବିକ ସୁଦୂରେ
ଫେରୁଥିବେ ଗୋରୁଗୋଠ, ଶ୍ୟାମ ଶୈଳ ଚୂଳେ,
ଶୁଭୁଥିବ କୁହୁ କେକା, ବନ କୁଞ୍ଜଭୂମି,
ଘୁମନ୍ତ ସପନେ ଥିବ, ମେଘମାଳା ଚୂମି,
ଏ ସବୁ ଭିତରେ ଏଇ କୁଟୀର ପ୍ରାଙ୍ଗଣ
ଦିଶୁଥିବ ତାଙ୍କ ନେତ୍ରେ କେଡ଼େ ମନୋରମ !
ପ୍ରତି ରେଣୁ ତଳୁ ଯେହ୍ନେ ଏଇ ମୃତ୍ତିକାର
ଖୋଜୁଥିବେ କେତେ ସ୍ୱପ୍ନ କବି-କବିତାର-
ହୃଦୟର ଉଦ୍ବେଳନେ; ପୁଣ୍ୟ ତୀର୍ଥ ସେଇ
ପ୍ରାଣର ପରଶ ଯହିଁ ଜନ୍ମ ଅଛି ନେଇ ! !
ସେ ଦିନ ପ୍ରବାସ ବାସେ ସାୟାହ୍ନ ବେଳାରେ
ବସିଚି କୁଟୀରେ ମୋର, ନିବିଡ଼ ଅନ୍ଧାରେ
ପୂରିଅଛି ବାଟ ଘାଟ, ଲେଖୁଚି ଚିଟଉ
କେତେ କାହା ପାଶେ; ଘେନି ଉଆଁସ ଚିତ୍ତଉ
କୁଟୀରେ ପହଞ୍ଚିଗଲ; ତୁମେ ଜଣେ କିଏ !
‘‘କହିଲ ତୁମରିଲାଗି ଆଣିଚି ଟିକିଏ-
ସାମାନ୍ୟ, ଏ ନୁହେଁ କିଛି’’ ଦେଖିଲି ମୋହର
ଦରିଦ୍ର କବୀନ୍ଦ୍ର ବନ୍ଧୁ ବିନମ୍ର ଅନ୍ତର;
ବୋଇଲି ମୋ ପାଇଁ କିପାଁ ହୋଇ ହଟାହଟା
ଆଣିଚ ଏ ସବୁ ? ମୋର ନିଃସ୍ୱ ଜୀବନଟା
ପାଇନି ଏଭଳି କାହୁଁ ପୁଣ୍ୟ ଅନୁଗ୍ରହ
ତୁମେ ମୋରେ ରଖିଅଛ ବାନ୍ଧି ଅହରହ
ସୁଖେ ଦୁଃଖେ ତୁମ ତୁଲେ; ବିରାଟ ହୃଦୟ
ଦାରିଦ୍ର୍ୟ ଭିତରେ ନାଇଁ ଭାଜେ ପରାଜୟ
ମୁଁ ସିନା ପ୍ରବାସ ବାସେ ଭଲ ମନ୍ଦ ଖାଏ
ଝିଅଟି ମୋ ଥିବ ସେ ଯେ କେଉଁ ଦୂର ଗାଏଁ;
ଭାତ ସାଙ୍ଗକୁ ତ ତାରେ ସବୁଦିନ ପାଇଁ
ତିଅଣ ଟୋପାଏ କେବେ ମିଳୁଥିବ ନାଇଁ ।
କନକ ପିତୁଳୀ ପରି ଶିଶୁଟିଏ କୋଳେ
ମାଗୁଥିବ ବିସ୍କଟ୍ ସେ ଚାହିଁ ନେତ୍ର ଡୋଳେ-
ଜନନୀରେ ତାର ଯେବେ, ତାରେ ବାଆଁ ରେଇ
ଦେଉଥିବ ଏଣୁ ତେଣୁ କେତେ କଥା କହି;
ବୋଲୁଥିବ ‘‘ଅଜା ଯେବେ ଫେରିବେରେ ବାବୁ !
ଖାଇବୁ ତୋ ପାଇଁ କେତେ ଆଣିଥିବେ ସବୁ’’,
କା’ ଦୁଃଖେ ଜୀବନେ ଦୁଃଖୀ ହେଲି ନାଇଁ ବାରେ
ରହିଲି ପ୍ରବାସ ବାସେ କି ଶିରୀ ସମ୍ଭାରେ ?
ଦୁଃଖୀ କୁଡ଼ିଆରେ ରହି, ଦୁଃଖୀଜନ ପରି
ଆପଣା ଟିକକ ତହିଁ ଦେଉଥାନ୍ତି ଭରି;
ଟିକିଏ ଗୌରବ ମୋର ଶୁଣିବାର ଲାଗି
ବିରାଟ ଉତ୍କଣ୍ଠା ଉଠେ ତୁମ ବକ୍ଷେ ଜାଗି,
ଟିକିଏ କେ, ଦେଲେ ମୋରେ ସ୍ନେହ ସନମାନ ।
ପାଦ ତବ ତଳେ ପଡ଼େ ନାଇଁ ଦିନମାନ ।
ଟିକିଏ ପ୍ରଂଶସା କରି କେ ମତେ କହିଲେ,
ତୁମ ମୁଖେ ସ୍ୱର୍ଣ୍ଣ ଆଭା ଫୁଟଇ ପହିଲେ ।
ଟିକିଏ ଆନନ୍ଦ ହାସ ଜାଗିଲେ ମୋ ଓଠେ
ସବୁ ଦୁଃଖ ସବୁ ଗ୍ଳାନି ତୁମ ମର୍ମୁ ତୁଟେ ।
ଟିକିଏ ଜୀବନ୍ତ ପରି ମୁଁ ଉଠିଲେ ଫୁଟି
ପଲ୍ଲବି ଉଠଇ ତୁମ ଦେହ ମନ ଗୋଟି;
ଟିକିଏ ମୁଁ ଭାଗ୍ୟବାନ୍ ହେଲେ ଧରଣୀରେ
ତୁମେ ଗୋ ଉଛୁଳି ଉଠ ଆନନ୍ଦେ ଅଧୀରେ
ଟିକିଏ ଦୁଃଖରେ ମୁହିଁ ହେଲେକ ଚଞ୍ଚଳ
ଆଢ଼ୁଆଳ କରି ରଖ ପାତିଣ ଅଞ୍ଚଳ !
ସେ ଦିନ ମୁଁ ଫେରୁଥିଲି ବାସ୍ପୀୟ ଶକଟେ
ସେ କେଉଁ ସୁଦୂର ଭୂଇଁ, ଗଭୀର ସଂକଟେ
ଏ ଦରିଦ୍ର ଦେହ ମନ କ୍ଷତ ଓ ବିକ୍ଷତ-
ପରି ମତେ ଲାଗୁଥିଲା, ମୋର ଯାତ୍ରା ପଥ-
ସୁଖକର କରିବାକୁ ଖୋଲା ପ୍ରକୃତିରେ
ଚାରିଆଡ଼େ ଚାହୁଁଥିଲି, କିନ୍ତୁ ଅଶ୍ରୂ ନୀରେ-
ଯାଉଥିଲି ବୁଡ଼ି ମୁହିଁ, ଠିକ୍ ସେ ସମୟେ
ଦେଖିଲି କବିଙ୍କୁ ଜଣେ, ଅମୃତ ହୃଦୟେ
ଡାକି ନେଲେ ପାଶେ ତାଙ୍କ, ହେଲି କଥା ଭାଷା
ମୁଞ୍ଜରି ଉଠିଲା ପ୍ରାଣେ ଉନ୍ମାଦନା ଆଶା;
ନିଭିଲା ନୟନୁ ଅଶ୍ରୂ, ପ୍ରାଣୁ ଅବସାଦ,
ଦୀର୍ଘତର ହୁଅନ୍ତା ଏ ଯାତ୍ରାର ଆହ୍ମାଦ
ଜାଗିଲା ପିପାସା ପ୍ରାଣେ; ପ୍ରାଣବନ୍ତ ସାଥୀ
ଜଗାଏ ଜୀବନେ ଏକା ସୁବର୍ଣ୍ଣ ପ୍ରଭାତୀ;
ହେ ମୋହର ଛାତ୍ରଦଳ ! ଆଜି ତୁମେମାନେ
ସ୍ୱାଧୀନ ମାଟିର ଆତ୍ମା ପରି ସନମାନେ-
ଖେଳୁଚ ବୁଲୁଚ ଏଥି, ଏ ପତାକା ତଳେ
ଦେଶ କୀର୍ତ୍ତି ଗାଥା ଗାଇ, ରୋମାଞ୍ଚ ଅନ୍ତରେ
କରୁଅଛ ଅନୁଭବ, କିନ୍ତୁ ଜାଣିଚ ନା ?
ବୁକୁତଳେ ବହି କୋଟି ଅଗ୍ନି ଉନ୍ମାଦନା-
କେତେ ନେତା କେତେ କର୍ମୀ, କେତେ ବିଜ୍ଞଜନ
ମରିଚନ୍ତି, ହଜିଚନ୍ତି, ବେଡ଼ିର ବନ୍ଧନ-
ପରାଧୀନ ଭାରତର ଚରଣୁ ଖସାଇ
ସେମାନଙ୍କୁ ନମି ଚାଲ, ହସି ଓ ହସାଇ
ଲକ୍ଷ କୋଟି ଜନତାରେ, ନିଜ ପାଇଁ ତମେ
ଆସିନ ଆସିନ କେବେ, ନିଖିଳ ଭୁବନେ
ତୁମେ କିଏ ? ସୀମାହୀନ ମହା ଜନତାର
ତୁମେ ହିଁ ମଙ୍ଗଳ ଦୀପ ଜଳ ବାର ବାର ।