ଶାନ୍ତି-ପୂର୍ଣ୍ଣ ଆରେ ପଲ୍ଲୀଗ୍ରାମ,
ମଧୁରିମା-ମୟ ତୋର ନାମ,
ନଗରୀର ରାଜା-ସୁଖ ମୋହ ପକ୍ଷେ ଘୋର ଦୁଃଖ,
ଆଗୋ ପ୍ରିୟପଲ୍ଲି ! ତୋ ପଲ୍ଲବମୟ ଅଙ୍କ,
ଛାୟାତଳ ଆଣିବାକୁ ମୁହିଁ ସଦା ରଙ୍କ । ୧ ।
ପ୍ରାଥମିକ-ମାନବ-ବସତି
ଅଟୁ ତୁ ଗୋ ସୁସରଳା ସକି,
ଗର୍ବିତ ଉଚ୍ଚପଦସ୍ଥ ପାଶେ ତୁହି ଅପଦସ୍ଥ
ହେଲେ ହେଲୁ ଚିନ୍ତା ନାହିଁ, ଭାବୁକ ରସଜ୍ଞ
ଆଦର କରନ୍ତି ତୋତେ, ନ କରନ୍ତୁ ଅଜ୍ଞ । ୨ ।
ଜାଣଇଁ ତୁ ନୋହୁ ନିଷ୍କଳଙ୍କ,
ଏ ଜଗତେ କିଏ ଅକଳଙ୍କ ?
ତଥାପି ନଗର ପାପ ବିଭୀଷିକା ଦୁଃଖ ତାପ
ତୁଳନାରେ ତୋ କୁଟୀର ଅଟେ ଶାନ୍ତିମୟ,
ପଲ୍ଲୀ-ସରଳତା-ଶାନ୍ତି ରଖ କୃପାମୟ ! । ୩ ।
ସୁନିର୍ଜନ ପଲ୍ଳୀ-ଉପବନ,
ପଲ୍ଲୀ-କନ୍ୟା-ସରଳ-ଆନନ,
ଯୌବନର ପ୍ରେମ-ମଧୁ- ପାନାସକ୍ତା ପଲ୍ଲୀବଧୂ
ତରଳ ଅପାଙ୍ଗ ଆହା କିବା ମନୋଲୋଭା,
ଧନ୍ୟ ଧନ୍ୟ ପଲ୍ଲୀ ତୋର ନୈସର୍ଗିକ ଶୋଭା । ୪ ।
ପଲ୍ଲୀବାଳକର ନାନା ଖେଳ,
ପଲ୍ଲୀର ସେ ବଣଭୋଜି ମେଳ,
ପଲ୍ଲୀ-ସାମୟିକ-ହାଟ, ପଲ୍ଲୀର ସେ ସ୍ନାନଘାଟ,
ପଲ୍ଲୀ-ପଞ୍ଚାୟତ-ସଭା, ପଲ୍ଲୀ-କାରବାର, -
ପଲ୍ଲୀ-ସ୍ମୃତି ଖୋଲି ଦିଏ ଶୋଭାର ସଂସାର । ୫ ।
କାଳ ସର୍ବନିକୃନ୍ତନକାରୀ,
କିଛି ଚିର ନ ରହେ କାହାରି,
ଯାଏ ପ୍ରିୟ ପୁରାତନ, ଆସଇ ନିତ୍ୟ-ନୂତନ,
ପୁରାତନ ପଲ୍ଲୀର ସେ ଦୃଶ୍ୟ ମନୋହର
ଚିତ୍ରି ପାରିବ କି ଭାଇ ନବିଚିତ୍ରକର ? । ୬ ।
ଗ୍ରାମେ କାହିଁ ବସି କାକଗଣ
ଘନଘନ କରନ୍ତି-ନିସ୍ୱନ,
ଆନନ ବଙ୍କିମ କରି ଚାହୁଁଛନ୍ତି ଡରି ଡରି,
ଏ ଚାହାଁଣି ଭଙ୍ଗି ତାଙ୍କୁ କିଏ ଶିଖାଇଲା,
କି ଗୂଢ ଉଦ୍ଦେଶ୍ୟେ ବିହି ଏହା ଭିଆଇଲା ? । ୭ ।
‘‘ଆରେ କାକ ଆସ ଆସ ଆସ,
‘‘ପିତା ଭ୍ରାତା କରନ୍ତି ପ୍ରବାସ,
‘‘ବସି ଏ ତଣ୍ଡୁଳ ଭାଗେ ଖାଇ କାକ ଅନୁରାଗେ
‘‘କେ ବାହୁଡ଼େ ବିଦେଶରୁ କହି ଉଡ଼ିଯାଆ,
‘‘ବୃଥା ପୁଣି କାହିଁପାଇଁ ରାବୁ କାଆ କାଆ ?’’ । ୮ ।
କହି ଏହା ଅଳପବୟସୀ
ଯାଏ ଚାଲି ଗୃହେ ହସି ହସି,
କହେ ତହିଁ ପରିହାସେ ନବ ଭ୍ରାତୃବଧୂ ପାଶେ, -
‘‘ଫେରି ଆସୁଛନ୍ତି ଭାଇ ତେଜିଣ ବିଦେଶ,
‘‘ଆସ ଗୋ ସୁନ୍ଦରି ଆଜି ବାନ୍ଧେ ମୁକ୍ତକେଶ ।’’ । ୯ ।
ଉଡ଼ନ୍ତି ପକ୍ଷୀଏ ରାବ ଦେଇ,
ଶିଶୁ ସହ ଉଭା ଜେମାଦେଈ,
ଅନାଇ ବିହଙ୍ଗ-ସାରୀ କହେ ତାଙ୍କୁ ହସ୍ତ ଠାରି, -
‘‘ଆସ ଆସ ଚଢେଇ, ରେ ମୋ ପିଣ୍ଡାରେ ବସ,
‘‘ଖାଇବାକୁ ଦେବି ତୋତେ ନଡ଼ିଆର ରସ ।’’ । ୧୦ ।
ରାଜପଥେ ପଥିକ-ଦର୍ଶନେ
ବିଚାରନ୍ତି ଗ୍ରାମେ ନାରୀଗଣେ, -
‘‘କାହୁଁ ଆସେ, ଯାଏ କାହିଁ, କେତେଦୂରେ ଅଛି ଧାଇଁ
‘‘କାହିଁ ଘର ବାଟେଇର, ଏଣେ କେଣେ ଗଲା,
‘‘କେଉଁ ଦୂର ପରବାସେ ଯାଉ ଅଛି ଭଲା ? ’’ । ୧୧ ।
‘‘ଶାରୀ ଶୁଆ’’ ଆଦି କେତେ ଖଳ
ଖେଳନ୍ତି ବାଳକେ ହୋଇ ମେଳ,
‘‘ଆଲୋ ଶାରୀ ଆଲୋ ଶୁଆ କାହା ହାତେ ନିଦାଗୁଆ
କହ’’ ବୋଲି ଜଣେ କାଠି ଦିଏ କାହା ହସ୍ତେ,
ଚୋର ହେବା ଭୟେ ମୌନେ ରହନ୍ତି ସମସ୍ତେ । ୧୨ ।
କୁଉଁ କୁଉଁ ବାଜଇ କେନ୍ଦରା,
ନାଥ ଆସି ଭିକ୍ଷା ମାଗେ ପରା ?
ଗାଇ ରାମ-ବନବାସ କୃଷ୍ଣ ମଥୁରା-ପ୍ରବାସ
ବେଳେ ବେଳେ ବଜାଇଣ ହରେ ଜନମନ,
ପୂର୍ଣ୍ଣ ଥାଳେ କରେ ନାଥ ସ୍ୱସ୍ଥାନେ ଗମନ । ୧୩ ।
ଘେନି କେଳା କେଲୁଣୀକି ସଙ୍ଗେ
ଦାଣ୍ଡେ ନାଉଧୁଡ଼ୁକି କି ରଙ୍ଗେ
ବଜାଇ ଗାଉଛି ଗୀତ ! ଶୁଣିଣ ମୋହିତଚିତ୍ତ
ଦିଅନ୍ତି ତଣ୍ଡୁଳ ତାକୁ ବାଳକ ବାଳିକା,
କିଣନ୍ତି ତାଠାରୁ ବଣୀ ଗୋବରା କାଳିକା । ୧୪ ।
ଶାଖାଯୁକ୍ତ ବଟବୃକ୍ଷ ମୂଳେ
ପଲ୍ଲୀ-ପୁଷ୍କରିଣୀ-ଜଳ-କୂଳେ
ଗ୍ରାମ-ସୀମନ୍ତିଜୀକୁଳ ହୋଇଣ ସ୍ନାନାର୍ଥେ ଠୁଳ
କହୁଛନ୍ତି ପରସ୍ପର ସୁଖ ଦୁଃଖ କଥା,
ସ୍ନାନ ସାରି କେହି ନାରୀ ପୋଛୁଅଛି ମଥା । ୧୫ ।
ସରସୀର ବିପରୀତ ତୀରେ
ପ୍ରତିଚ୍ଛାୟା ପକାଇଣ ନୀରେ
ବସି ହଂସ ବକରାଜି ପନ୍ତି ପନ୍ତି ଥାନ୍ତି ସାଜି,
କୂଳେ ହିଲ୍ଲୋଳିତ ଜଳ-ମୃଦୁଳ-ଲହରୀ
ଦେଖି ଚମକି ଉଠନ୍ତି ବିକେ ଡରି ଡରି । ୧୬ ।
ଶୁଣି ଗଉଡ଼ୁଣୀ-ଉଚ୍ଚତୁଣ୍ଡ
ଗ୍ରାମନାରୀମାନେ ହୋଇ ରୁଣ୍ଡ,
ଦହି ଦୁଧ କେ କିଣନ୍ତି, ନଥିଲା ଲୋକେ ବୋଲନ୍ତି –
‘‘ହାତେ ଧନ ଥିଲେ ସିନା ପୁରଇ କାମନା,
‘‘ଦୁଃଖୀର ଜୀବନ ସିନା ବିଧି-ବିଡ଼ମ୍ୱନା !’’ । ୧୭ ।
‘‘ଲୁଣ ତେଲ ମସଲା ଗୋ ନିଅ,
‘‘ଗତ ପାଳି କାଳି ସୁଝି ଦିଅ’’
ଶୁଣି ଏ ଉଠିଆ ଡାକ ଘରଣୀଏ ଡାକ ହାକ
ହୋଇଣ ଆସନ୍ତି, ପୁଣି ହୁଏ ଦେବା ନେବା
ଧାନ, ରବି ପଇସାରେ, ମିଳେ ଯାକୁ ଯେବା । ୧୮ ।
ବହି ଶିରେ ମେରୁସମ ଯୁଡ଼ା
କାଖେ ଘେନି ସଜ ମୁଢ଼ି ଚୂଡ଼ା
ଗୁଡ଼ିଆଣୀ କେଉଟୁଣୀ ପାଦେ ମୁଦି ରୁଣି ଝୁଣି
ବୁଲି ଗ୍ରାମେ ଘରେ ଘରେ ଫେରାନ୍ତି ପସରା,
ଧାନ କିବା ରବିରେ ଯେ ପାତ୍ର ହୁଏ ଭରା ! । ୧୯ ।
ଦେଖି ପ୍ରିୟ ଖାଦ୍ୟ ଶିଶୁଗଣ
ପ୍ରାଣ ତହିଁ କରନ୍ତି ଅର୍ପଣ,
ମାତା ପାଶେ କରି ଅଳି ପୂର୍ଣ୍ଣପାତ୍ରେ ଯାନ୍ତି ଚଳି
ଆନନ୍ଦେ ବିହ୍ୱଳ ପାଇ ଆକାଶର ତାରା,
ଦରିଦ୍ରସନ୍ତାନ-ନେତ୍ରୂଁ ବହେ ଅଶ୍ରୂ ଧାରା । ୨୦ ।
ଗ୍ରାମ ମଧ୍ୟେ ଭାଗବତ ଘର
ନାନାବିଧ ଶାସ୍ତ୍ରର ଆକର,
ରାତ୍ରେ ଏହିଠାରେ ଆସି ବସି କେତେ ଗ୍ରାମବାସୀ
ଶୁଣନ୍ତି ମହାଭାରତ, ଗୀତା, ରାମାୟଣ,
ଅଷ୍ଟାଦଶ ପୁରାଣାଦି ଶାସ୍ତ୍ର ଅଗଣନ । ୨୧ ।
ଗ୍ରାମ ଜମିଦାରଙ୍କର ଘର,
ଦାଣ୍ଡେ ଚାଲିବାକୁ ମାଡ଼େ ଡର !
ସାରିଣ ସ୍ନାନ ପ୍ରଭାତେ ଉଚ୍ଚପିଣ୍ଡାରେ ସାଆନ୍ତେ
ବସିଣ କରନ୍ତି ସେବା ପୂଜା ବିଧିମାନ,
ପ୍ରଜାଗୁହାରି କଥାରେ ଡେରିଥାନ୍ତି କାନ । ୨୨ ।
ଟଙ୍କା, ଧାନ, ସୁଧ, ମୂଳଜମା,
ସତ୍ୟ ମିଥ୍ୟା ଯେତେ ମକଦମା,
କଳହ ଅନର୍ଥ ମୂଳ, ସକଳ ଏଠାରେ ଠୁଳ,
ମାରାତ୍ମକ ଠେଙ୍ଗା ହାତେ ଉଭା ଚଉକିଆ,
ପାଶରୁ ବ୍ରାହ୍ମଣ ନାହିଁ ଏଠାରେ ଅଦିଆ । ୨୩ ।
ସାଆନ୍ତାଣୀ ସଦା ଭକ୍ତିମତୀ,
ଭୋକୀ ଶୋଷୀ ରୋଗୀଙ୍କୁ ଲୋଡ଼ନ୍ତି,
ପାଆନ୍ତି ଜଳ ତୁଳସୀ, ଭାଗବତ ଘରେ ବସି
ଶୁଣନ୍ତି ଭାରତ, ରାମାୟଣ, ଭାଗବତ,
ପରିବାର ମଙ୍ଗଳରେ ଅହୋରାତ୍ର ରତ । ୨୪ ।
ବଧୂଗଣ ରୂପ-ଗୁଣ-ବତୀ,
ଗୁରୁଜନ-ପାଦେ ଥାଏ ଭକ୍ତି,
ଚାଙ୍ଗୁଡ଼ା ବୁଣାଦି କାର୍ଯ୍ୟ କରୁଥାନ୍ତି ଅନିବାର୍ଯ୍ୟ,
ଚନ୍ଦନଘୋରା ଇତ୍ୟାଦି ଅନେକ ଶାଣ୍ଠଣା,
ଦେଖିଲେ ବିଦେଶିଙ୍କର ହେବ ବୁଦ୍ଧି ବଣା । ୨୫ ।
ବଡ଼ଘରକୁମାରୀ-ଦୁହିତା
ଦାଣ୍ଡକାନ୍ଥେ ଲେଖିଛନ୍ତି ଚିତା
ପଦ୍ମବନ୍ଧ ନାଗବନ୍ଧ - ଆଦି କେତେ ଚିତ୍ରବନ୍ଧ,
ଅନ୍ତର୍ଲିପି ବହିଲିପି ଗୋମୂତ୍ରାଦି ଛନ୍ଦ,
ଶ୍ରୀରାମରାବଣ – କୁରୁପାଣ୍ଡବଙ୍କ ଦ୍ୱନ୍ଦ୍ୱ । ୨୬ ।
ଦେଖୁଛି ଦୈବଜ୍ଞ ଆସି କୋଷ୍ଠି,
ବସିଛନ୍ତି ଖଣ୍ଡାୟତ ଗୋଷ୍ଠି,
ଭାଲେ ଗୋରଚନା-ଟୋପା, ଶିରେ ଶୋଭେ ଚାରୁ ଚମ୍ପା,
ପାରିଲା କଣ୍ଟାବଇଁଶୀ ବାଡ଼ୀଟି ଜଘଂରେ,
ପାଚିଲା ଗାମୁଛା ରାଜେ ପଇତା ସଙ୍ଗରେ । ୨୭ ।
କରିଣ ଆଖଡ଼ା ପଲ୍ଲୀପ୍ରାନ୍ତେ
ଖଣ୍ଡାଖେଳେ ମାତନ୍ତି ବର୍ଷାନ୍ତେ,
ବଳିଷ୍ଠ ଯୁବକବର ବୁଲାନ୍ତି ଶକ୍ତ ମୁଦ୍ଗର
ବନାଉଟି ଛଡ଼ି ଖେଳେ ଭ୍ରାତା ସଙ୍ଗେ ଭ୍ରାତା,
ଦେଖି ଏହା ମନେ ପଡ଼େ କାଞ୍ଚୀଯୁଦ୍ଧବାର୍ତ୍ତା (୧) । ୨୮ ।
ଖଣ୍ଡାଏତ କରଣ-ମଣ୍ଡଳୀ
କାହିଁ ଦରବାରେ ଯାନ୍ତି ଚଳି,
କଟିରେ ଚଦର ଭିଡ଼ା, ହାତେ ଅଛି ପାଞ୍ଜିବିଡ଼ା,
ଅଣ୍ଟାରେ ହୋଇଛି ଖୋସା ମୁନିଆ ଲେଖନ,
ଏହି ମୁନେ ବନ୍ଧା ସିନା ନିଖିଳ ଭୁବନ । ୨୯ ।
ପଲ୍ଲୀ ମଧ୍ୟେ ବ୍ରାହ୍ମଣଶାସନ,
ବିପ୍ରଯୁବା କରିଣ ଆସନ
ବିଲବାଡ଼ି କଥା ଶୁଣି ଚୁଡ଼ାଦହି ମନେ ଗୁଣି
ପଢେ ମନୁ, ପରାଶର ଅବା ଅଭିଧାନ,
ବିଭା, ବ୍ରତ, ମନ୍ତ୍ର କିବା ସାଙ୍ଖ୍ୟ, ତନ୍ତ୍ର, ଧ୍ୟାନ । ୩୦ ।
ବସି ବୃଦ୍ଧପିତାମହ ପାଶ
ନିରନ୍ତର ସେବୁଥାନ୍ତି ନାଶ !
ବିରକ୍ତ ହୋଇଣ ବୃଦ୍ଧ କରନ୍ତି ଅଶୁଦ୍ଧ ଶୁଦ୍ଧ,
ମନେ ପଡ଼େ ପୁରା ଯୁଗେ ବ୍ରାହ୍ମଣ ପ୍ରାଧାନ୍ୟ,
ଥିଲେ ଯେବେ ଏ ବ୍ରାହ୍ମଣେ ଗୁଣେ ଗରୀୟାନ । ୩୧ ।
କାହିଁ ତବ ଚତୁର ଆଶ୍ରମ, (୧)
କାହିଁ ବ୍ରହ୍ମଚର୍ଯ୍ୟ ସେ ନିର୍ମମ ?
ଦାନ ଆଦି ଷଡ଼ ନ୍ତ୍ରିୟା ତେଜି ଚୂଡ଼ାଦହିଖିଆ, (୨)
୧। ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମୀ ଓ ଭିକ୍ଷ୍ୱାଶ୍ରମ ପୁରାଣତନ ଆର୍ଯ୍ୟମାନଙ୍କର ଚୁତୁର୍ବିଧ ଆଶ୍ରମ ଥିଲା ।
୨। ଯଜନ, ଯାଜନ, ଅଧ୍ୟୟନ, ଅଧ୍ୟାୟନ, ଦାନ, ପ୍ରତିଗ୍ରହ ଏହି ଷଟ୍କର୍ମ କ୍ରିୟାଶୀଳ ପ୍ରକୃତ ବ୍ରାହ୍ମଣଙ୍କର ନିତ୍ୟ କର୍ତ୍ତକ୍ୟ ଥିଲା ।
‘‘ବ୍ରହ୍ମ ଜାଣନ୍ତା ବ୍ରାହ୍ମଣ’’ ହୁଏ ଯେବେ ସତ୍ୟ,
ପ୍ରଣାମ କରିବି ଭାଇ ତୁମ୍ଭଙ୍କୁ କେମନ୍ତ ? । ୩୨ ।
ସ୍ୱର୍ଣ୍ଣଗୋରୀ ବିପ୍ରନାରୀଗଣ
କରି ପ୍ରାତଃସ୍ନାନ ସମାପନ
ଜଳାର୍ଦ୍ର ବସନ ଅଙ୍ଗେ ମନ୍ଥର ଗତିରେ ରଙ୍ଗେ
ଫେରୁଛନ୍ତି ଗୃହେ; ହେଲେ ବ୍ୟଞ୍ଜନ ରନ୍ଧନ
ପତି ପୁତ୍ରେ ଆସି କର୍ମ କରିବେ ଭୋଜନ । ୩୩ ।
ଗ୍ରାମେ କାହିଁ ମହାଜନ ସାଇ,
ବସି ପିତା ପୁତ୍ର ଭାଇ ଭାଇ
ବୁଣନ୍ତି ଅଖା ପଲାଣ, କରନ୍ତି ପୁଣି ଦୋକାନ,
ଭ୍ରାନ୍ତି କଡ଼ା ହଜାରରେ କରନ୍ତି ଗଣନା,
ବନ୍ଧା ରଖି ଖାତକର ଜମି ଚିରାକନା । ୩୪ ।
ଅତି ମିତାଚାରୀ ମହାଜନେ,
କୃପଣତା ଅଶନେ ବସନେ,
ମହାଜନ ବଧୂଗଣ ପର୍ବତେ କରି ଗମନ
ଶିରେ କାଷ୍ଠ ଘେନି ଗୃହେ ଫେରୁଛନ୍ତି କ୍ଳେଶେ,
ପ୍ରକାଣ୍ଡ ସିନ୍ଦୂର ଥୋପା ଶୋଭେ ଭାଲଦେଶେ । ୩୫ ।
ପତ୍ନୀ-ପୁତ୍ର-ତନୟା ସହାୟ
ନିଜ ଦାଣ୍ଡେ ଦୀନ ତନ୍ତୁବାୟ
କରଇ ବସ୍ତ୍ର ବୟନ କ୍ଷିପ୍ରହସ୍ତ ଛନ ଛନ;
ଦିନ ରାତି ଲାଗି ପେଟ ନ ପୂରଇ ତାର,
ଅହୋ ଜୀବନସଂଗ୍ରାମ ବିଷମ ବ୍ୟାପାର । ୩୬ ।
ନାନାଜାତି ଅଛନ୍ତି ହାଟୁଆ –
ଓଡ଼, ତେଲି, ଗୁଡ଼ିଆ, ବଣିଆ,
ଭଣ୍ଡାରୀ, ଗୌଡ଼, କମାର, ବଢେଇ, ମାଳୀ, କୁମ୍ଭାର
ଥଟାରୀ, ପାଟରା, ଶୁଧ, କେଉଟ ଓ ତନ୍ତୀ,
ତାମିଳୀ, ଶଙ୍ଖାରୀ; ପୁଣି ଅସ୍ପୃଶିଅ ଜାତି - । ୩୭ ।
ଚମାର, କଣ୍ଡରା, ହାଡ଼ୀ, ପାଣ,
କାଳିନ୍ଦୀବୈଷ୍ଣବ, ଧୋବା ଜାଣ
ଗୋଖା, ବାଗୃତୀ, ତିଅର, ଡମ, ଚୂହାଡ଼, ଶଅର,
ଛତ୍ରଖିଆ, ଶୁଣ୍ଢୀ, ମୋଚି, କାଆଁଳ ଗଉଡ଼,
କେଳା ଆଦି, ଲେଖୁଁ ଲେଖୁଁ ହେବ ବେଳବୁଡ଼ । ୩୮ ।
ଗ୍ରାମର ଆଖଡ଼ା ଏହି ସ୍ଥାନେ,
ପ୍ରତିରାତ୍ରେ ନୃତ୍ୟକାରୀମାନେ
ଶିଖନ୍ତି ‘‘ଭାରତଲୀଳା’’ ‘‘କୃଷ୍ଣଲୀଳା ’’ ‘‘ରାମଲୀଳା,’’
ପର୍ବ ପାରବେଣ ଦେଶେ ବିଦେଶେ ନାଚନ୍ତି,
ଅର୍ଥ ଉପାର୍ଜନ କରି କୁଟୁମ୍ୱ ପୋଷନ୍ତି,
(ରାଜା, ରାଣୀ, ମନ୍ତ୍ରୀ, ଗଧ ସମସ୍ତେ ନାଚନ୍ତି !) । ୩୯ ।
କଳହରେ ଦୁଇ ବରାଙ୍ଗନା
ପରସ୍ପରେ କରନ୍ତି ବନ୍ଦନା !
କେ ନିର୍ଦ୍ଦୋଷ କିଏ ଦୋଷୀ ? ଦୁହେଁ ନିଜ ନ୍ୟାୟ ଘୋଷି
ବଜ୍ରନାଦେ ଅନର୍ଗଳ କରନ୍ତି ବକ୍ତୃତା,
ସାବାସ୍ ଲୋ ବୀରନାରୀ ସାବାସ୍ ବୀରସୂତା ! । ୪୦ ।
ମନୋହର ତଟିନୀର ତଟ
ଶୋଭେ କାହିଁ ବୈଷ୍ଣବଙ୍କ ମଠ,
ଶାନ୍ତ ଋଷି ତପୋବନ - ସମ ରାଜେ ଉପବନ, -
ଅଶ୍ୱତ୍ଥ –ପନସ-ଚୂତ-ବଟ-ବଂଶରାଜି;
କି ନିସର୍ଗ-ଲାବଣ୍ୟରେ ଅଛି ମଠ ସାଜି । ୪୧ ।
କାଗିଜି, ନାରଙ୍ଗ ଆଦି ଫଳ
ପକ୍ୱ ହୋଇ ନିଜେ ପଡ଼େ ତଳ,
ବୈଷ୍ଣବ-ତନୟାଗଣ କରି ତାହା ଆହରଣ
ଆନନ୍ଦେ ଚଳନ୍ତି ଗୃହେ ଘେନି ପଣନ୍ତରେ,
ଦିଅନ୍ତି ଜନନୀକରେ ପ୍ରଫୁଲ୍ଲ ଅନ୍ତରେ । ୪୨ ।
ଶୁଣିଅଛି ଏହି ମଠ ପରା
ହେଉଥିଲା ହରିନାମେ ଭରା,
ମନ୍ଦିରା ଝାଞ୍ଜ ମୃଦଙ୍ଗେ ରାମତାଳି ଆଦି ରଙ୍ଗେ
ବଜାଇ, ବୈଷ୍ଣବଗଣ କରୁଥିଲେ ଗାନ
ଭକ୍ତିଭରେ ତ୍ରିସନ୍ଧ୍ୟାରେ ହରିସଂକୀର୍ତ୍ତନ । ୪୩ ।
ହରାଇ ବୈଷ୍ଣବେ ଶୁଭଦିନ
ନିଷ୍ଠା-ଅନୁଷ୍ଠାନେ ଏବେ ହୀନ !
ଯେବେ ଶିଷ୍ୟ ନିମନ୍ତ୍ରଣେ ‘‘ଜେଜେକାର’’ ଉଚ୍ଚାରଣେ
ପ୍ରକାଣ୍ଡ ପଙ୍ଗତ କ୍ଷେତ୍ର କରନ୍ତି କମ୍ପନ,
ଥରେ ଯେବେ ଶୁଣାଯାଏ ଦୋମିଶାଃ କୀର୍ତ୍ତନ । ୪୪ ।
(ଆହା ସେ ପ୍ରେମଧର୍ମର କି ଘୋର ପତନ !) ।୪୪।
ଦୋମିଶା- ଓଡ଼ିଆ ବଙ୍ଗଳା ମଶ୍ରିତ ଭାଷାରେ ରଚିତ ଗୀତ ।
ପ୍ରେମଧର୍ମ-ବିଶ୍ୱଜନୀନ ପ୍ରେମ-ପ୍ରଚାର ବୈଷ୍ଣବଧର୍ମର ବିଶେଷ ଉଦ୍ଦେଶ୍ୟ ଥିଲା ।
ନାନାଗୀତ ଗାଇ ଗ୍ରାମତାଳେ
ବାଇ ବଂଶୀ ଗ୍ରାମର ଗୋପାଳେ
ଗ୍ରାମପ୍ରାନ୍ତେ ଗୋରୁ ଛାଡ଼ି ତରୁ ତଳେ ଧରି ବାଡ଼ି
କୁହାଟିଣ ଆନନ୍ଦରେ ତରାନ୍ତି ଗୋଧନ,
ପକ୍ଷଯୁକ୍ତ ତାଳଛତ୍ର ଦିଶେ ଶୋଭାବନ । ୪୫ ।
ଗ୍ରାମପ୍ରାନ୍ତେ କରି ଲୋକେ ଖଳା
ମେରି ପୋତି ପକାନ୍ତି ବେଙ୍ଗଳା,
ବାନ୍ଧି ମଥା ମଧ୍ୟ ସ୍ଥାନେ ଜଗନ୍ତି ରାତିରେ ଧାନେ,
ମିଛେ ସତେ ଦେଖିଥାନ୍ତି ଯେ ସର୍ବ ଘଟନା । ୪୬ ।
କଳ୍ପନା ବଳରେ ପ୍ରାତେ କରନ୍ତି ଜଳ୍ପନା ! ୪୬ ।
ପଲ୍ଲୀ ଖଳା ପାଶେ ଜଳାଶୟ,
ପ୍ରସ୍ଫୁଟିତ କୋକନଦତୟ ।
ନାନା ଜଳଚରଗଣ କରୁଥାନ୍ତି ସନ୍ତରଣ,
ହଂସ କାଦମ୍ୱାଦି ପକ୍ଷୀ କରୁଥାନ୍ତି ସ୍ୱନ,
ଶୁଣନ୍ତେ ସାନନ୍ଦି ହୁଏ ଭାବୁକର ମନ । ୪୭ ।
ପ୍ରଭାତୁଁ ଉଠିଣ ଗ୍ରାମବାସୀ
ମେଳ ହୋନ୍ତି ଏହିଠାରେ ଆସି,
ଖାଏ ପିକା କେହୁ ବସି, ଗଳ୍ପ କରେ କେହି ହସି,
ମୁହୁର୍ମୁହୁ ଛିଙ୍କି କରେ କେ ନସ୍ୟ ଗ୍ରହଣ,
ଜଳ ତୀରେ ବସି କରେ କେ ଦନ୍ତଧାପନ । ୪୯ ।
କ୍ଷୌରକର୍ମେ ନାପିତପ୍ରବର,
ବସି କହେ ବିଦେଶ ଖବର,
ଧର୍ମଶାସ୍ତ୍ରେ ସମରଥ ବୃଦ୍ଧ କହେ ଧର୍ମମତ,
କେହି ଗୃହ କଥା, କେହି ବିଲର ସମ୍ୱାଦ,
ଅନର୍ଥକ ବିଷୟେ କେ କରନ୍ତି ବିବାଦ । ୪୯ ।
ବିଲୁଁ କଟା ହୋଇ ଅଧା ଅଧା
ପ୍ରଶସ୍ତ ଖଳାରେ ଧାନ ଗଦା
ହୋଇଅଛି ରଦା ରଦା, କୃଷ୍ଣକର ଘୋର ଧନ୍ଦା,
ସାହୁ ମହାଜନ ଶୁଝି କୁଟୁମ୍ୱ ପାଳିବ,
ସେହି ଧାନ ବିକି ପୁଣି ରାଜସ୍ୱ ଗଣିବ । ୫୦ ।
ଅସ୍ଥିର ଏ ଭବର ବେଭାର,
କିଛି ଚିର ନ ରହେ କାହାର,
ଆଜି ଯେ ମୁକୁଟଧାରୀ କାଲି ସେ ବାଟଭିକାରୀ
କିନ୍ତୁ ତୁହି କୃଷକ ରେ ଚିରକାଳ ରହି
ନିଜ ରକ୍ତ ଦାନେ ପାଳୁ ଏ ବିଶାଳ ମହୀ । ୫୧ ।
ବ୍ରାହ୍ମଣ ସନ୍ନ୍ୟାସୀ ଧନୀ ମାନୀ
ହୋଇଲେହେଁ ଆତ୍ମ-ଅଭିମାନୀ
ଯେବେ ବା ତୁ ଅତି ଦୀନ ନୋହୁ ତାଙ୍କଠାରୁ ହୀନ,
ବୈଶାଖର ଖରା ପୁଣି ଶ୍ରାବଣର ଧାରା
ମାଘମାସ ଶୀତ ସହି ଖଟୁ ବର୍ଷସାରା । ୫୨ ।
ହେ କୃଷକ, ଅଶେଷ କଷଣ
ସହି ଅର୍ଜୁ ତୁ ଅଳପ ଧନ,
ଅକର୍ମା ଅଳସ ଜନେ ଶୋଷନ୍ତି ନିଷ୍ଠୁର ମନେ
ଭିକ୍ଷୁକ ବ୍ରାହ୍ମଣ ଯୋଗୀ ବୈଷ୍ଣବ ରୂପରେ,
ଭିକ୍ଷାଜୀବୀ – ପ୍ରବଞ୍ଚକ ଅଟନ୍ତି ସେ ନରେ । ୫୩ ।
କର୍ମକୁଷ୍ଠୀ ଅଳସେ ତୋ ଧନ
ଦେଇ ପାପ ନ କର ଅର୍ଜନ,
ଅଛନ୍ତି ସକଳେ ହରି ଦେହ ମନ ଦାନ କରି,
ସୁସ୍ଥ ଦେହେ ପର-ଧନ ଭୋଗରେ କାହାର
ଆଚଣ୍ଡାଳ ବ୍ରାହ୍ମଣରେ ନାହିଁ ଅଧିକାର । ୫୪ ।
କିନ୍ତୁ ଦୀନ ଅସମର୍ଥ ଜନେ
ଅନାଅ ତୁ ସଦୟ ନୟନେ,
ହେଲେହେଁ ବ୍ରହ୍ମଚଣ୍ଡାଳ ନ ବିଚାରି ଦେଶ କାଳ
ସାଧ୍ୟ ଅନୁଯାୟୀ କର ତା ଦୁଃଖ ମୋଚନ,
ଧନ୍ୟ ସେ ପରାର୍ଥେ ପ୍ରାଣ କରେ ଯେ ଧାରଣ । ୫୫ ।
କର୍ମ କର କର୍ମ କର ଭାଇ,
କର୍ମଠାରୁ ପୁଣ୍ୟ ଆଉ ନାହିଁ,
ସାଧୁ-କର୍ମ-ଲବ୍ଧ-ଧନେ ଆନନ୍ଦେ ଯାପ ଜୀବନେ,
ଶକ୍ତି ଅନୁସାରେ ଦିଅ ଦୁଃଖ-ଭିକ୍ଷା-ପାତ୍ରେ,
ଉଦ୍ବୃତ୍ତ ଅର୍ଥ ସଞ୍ଚୟ କର ବିପଦର୍ଥେ । ୫୬ ।
କର୍ମକୁଷ୍ଠୀ –‘‘ କାମକୋଢ଼ୀ’’ ବା ପରଶ୍ରମକାତର ।
କୃଷି-ଲବ୍ଧ ଶସ୍ୟ ବିକା କିଣା
କଲେ ଧନ ବୃଦ୍ଧି ହୁଏ ସିନା,
ବାଣିଜ୍ୟେ ଷୋଳଣା ଧନ, କୃଷି କାର୍ଯ୍ୟେ ଆଠପଣ,
ରାଜକର୍ମେ ଚାରିପଣ, ଭିକ୍ଷାବୃତ୍ତି ଛାର,
ଧିକ ତା ଜୀବନ ଭିକ୍ଷା ଜୀବିକା ଯାହାର । ୫୭ ।
ଧନ୍ୟ ଧନ୍ୟ କୃଷକ ରେ ତୋତେ,
ଖଟି ଖଟି ପୋଷୁଅଛୁ ମୋତେ,
ହେୟ ତୋତେ ମଣେ ଯେହୁ ଅବଶ୍ୟ ନିର୍ମମ ସେହୁ,
ତାର ଗର୍ବେ ସଂସାରର କି ଲାଭ ହୋଇବ !
ତୋ ବିହୁନେ ଏ ସଂସାର କ୍ଷଣେ ନାଶ ଯିବ । ୫୮ ।
ଗ୍ରାମ ମଧ୍ୟେ ଗ୍ରାମ ଚାଟଶାଳା,
ଯମଦଣ୍ଡ ଅବଧାନ ଜାଳା,
ବିଳମ୍ବେ ଯେହୁ ଆସିବ ‘‘ଶୂନ୍ୟ’’ ଖାଇ ପ୍ରାଣ ଯିବ,
‘ଏକ’ ‘ଦୁଇ‘ ମାଗି ଛାତ୍ରେ ହୁଅନ୍ତି ବାହାର,
‘‘ଛାପ ନ ଶୁଖୁଣୁ ବିଧି ଖାଇ ଆସିବାର ’’ । ୫୯ ।
ଗୁରୁଙ୍କର ବିଦ୍ୟା ଅପ୍ରମିତ,
ଜାଣନ୍ତି ସେ ଶ୍ଳୋକ ଛାନ୍ଦ-ଗୀତ,
ମହାଜନୀ ଜମିଦାରୀ - ହିସାବରେ ଆଣ୍ଟ ଭାରି,
ଲେଖା ଯୋଖା ଖଡ଼ି ପାଠେ ଅତି ଧୁରନ୍ଧର,
‘ପୁର‘ ‘ଭଉଁରିଆ‘ ଲେଖା ଅପୂର୍ବ ସୁନ୍ଦର । ୬୦ ।
ଜମିଜରିବରେ ଅଛି ଜ୍ଞାନ,
ଗ୍ରାମେ ‘‘ଗୁଣିବିଦ୍ୟାରେ’’ ପ୍ରଧାନ,
ଅପାର ତାଙ୍କ ମହିମା, ନାହିଁ ସେ ବିଦ୍ୟାର ସୀମା,
ଏକାଧାରେ ସମାବିଷ୍ଟ ଆହା କେତେ ଗୁଣ,
ଅମୂଲ୍ୟ ଅଟଇ ଆହା ଅତୁଳ ନୈପୁଣ୍ୟ । ୬୧ ।
ମନେ ପଡ଼େ ଶୈଶବର ଦିନ,
(ଅତୀତ ଗର୍ଭରେ ଯାହା ଲୀନ),
ଯେବେ ମାତାଙ୍କୁ ଲୁଚାଇ ଲେମ୍ୱୁ ଆଚାର ଚୋରାଇ
ଦେଇ ବେତ୍ରାଘାତୁଁ ଛାତ୍ରେ ପାଉଥିଲେ ତ୍ରାହି,
ଏଭଳି ସୁଯୋଗ କିଏ ଛାଡ଼ି ପାରେ ଭାଇ । ୬୨ ।
‘ଠ’ – ପଢ଼େ ବସି କେହୁ କୋଣେ,
’ସିଦ୍ଧି ବସ୍ତୁ’ ପଢ଼େ ଅନ୍ୟ ଜଣେ,
ଚର୍ଚ୍ଚା ହୁଏ ନାନା ପାଠ - ସଙ୍ଗେ ଅପ୍ରମିତ ଶାଠ,
’ସତରଫଳା’ ପଢ଼ିଣ ଅଳପ ବରଷେ
ଶାଢୀ ଦେଇ ‘ମାତ୍ରା’ ‘ବନା‘ ପଢ଼େ କେ ହରଷେ । ୬୩ ।
ପଣିକିଆ-ସାଦା-କଡ଼ା-ପାହି,
ସୋଧି, ଓଡ଼ାଙ୍କ, ମେଲାଙ୍କ, ଗାଇ
ହରିଗୁଣ, ପେଡ଼ିମିଶା, ଅଙ୍କଗୁଣା, ଧରିଦିଶା
ସାଦା-କାଣି-ଦସ୍ତି-ହାତ-ସମ-ବିଷମାଦି –
ନଳ ପଢ଼ୁଛନ୍ତି ଥୋକେ ଛାତ୍ର କାନ୍ଦି କାନ୍ଦି । ୬୪ ।
ଭିଆଣ, କୁଟା, କ୍ରୟ-ବିକ୍ରୟ
ମହାଜନୀ-ହିସାବନିତୟ,
ଶେଷରେ ଅସଲ-ହବୁ, ପଢ଼ିଲେ ଯା ଶେଷ ସବୁ,
ଲୀଳାବତୀସୂତ୍ର ପୁଣି ଘୋଷେ କେଉଁ ଚାଟ,
ମହାକୋଳାହଳେ କମ୍ପେ ଗ୍ରାମ, ବାଟ, ଘାଟ ।୬୫।
ଲେଖି ଅପରାହ୍ନ ତାଳପତ୍ର
ବୋଲି ପୁଣି ରାସ ଭାଗବତ
ନାନାବିଧ ଛାନ୍ଦମାନ ଧରି ଉଚ୍ଚ ତାନମାନ
ଗାଉଥାନ୍ତି ଛାତ୍ରବୃନ୍ଦ ବସାଇ ରାଗିଣୀ,
ଗୃହେ ବସି ଶୁଣନ୍ତି ତା ଗ୍ରାମସୀମନ୍ତିନୀ ।୬୬।
ପ୍ରଦୋଷେ ବାଳକେ ଶ୍ଲୋକ ସ୍ମୃତି
ପୂର୍ବପାଠ କରନ୍ତି ଆବୃତ୍ତି,
ନିଃଶେଷି ସର୍ବ ସାହିତ୍ୟ ପଢ଼ନ୍ତି ପୁଣି ଗଣିତ
ଗୁରୁଙ୍କ ଭୋଜନାସନ କରିଣ ବିଧାନ
ଯଥାକାଳେ କରନ୍ତି ସେ ସ୍ୱଗୃହେ ଗମନ ।୬୭।
ହାଟ ଦିନ ‘ହାଟଗଣ୍ଡା’ ନେଇ
ପ୍ରଣମନ୍ତି ଗୁରୁ ପାଶେ ଦେଇ,
ନିୟୋଗିଣ ‘ବଡ଼ଚାଟେ’ ଯାଉଁ ଚାଲି ଗୁରୁ ହାଟେ
‘କ-କା-କେ-କୈ’ ବନନ୍ତି ସକଳ,
ସେ ଘୋର ଗର୍ଜନେ କମ୍ପେ ବ୍ରହ୍ମାଣ୍ଡମଣ୍ଡଳ ।୬୮।
କେହି ଯେବେ ବଡ଼ଚାଟ କାମ
ନ କରିଲା ବିଧି ତାର ବାମ,
ଆସିଲେ ଗୁରୁ ‘ଢିଙ୍କିଆ’ ‘ଏକଗୋଡ଼ିକିଆ-ଠିଆ’
‘ମଢ଼ୁଆ-ଶାଙ୍ଖୁଳି’ ଆଦି କେତେ କେତେ ଦଣ୍ଡ
ଦେଇଣ କରନ୍ତି ତାକୁ ମହାଲଣ୍ଡଭଣ୍ଡ ।୬୯।
ଯେଉଁ ଦିନ ପଡ଼ଇ କମାଇ
ଶିଷ୍ୟଗଣ ଇନ୍ଦ୍ରସୁଖ ପାଇ
ଛାଡ଼ି ଖଡ଼ି ମେଣ୍ଟା ଧରି ଗାଆନ୍ତି ରାଗିଣୀ ଧରି
ଭଞ୍ଜ-ଦୀନକୃଷ୍ଣ-କୃତ ଛାନ୍ଦବନ୍ଦିମାନ,
ସେ ଗୀତ ଶ୍ରବଣେ ଆହା ମୋହିତ ମୋ ପ୍ରାଣ ।୭୦।
ଭାଦ୍ରେ ପଡ଼େ ଗଣେଶଚତୁର୍ଥୀ,
ଧରନ୍ତି ବାଳକେ ମହାସ୍ଫୂର୍ତ୍ତି,
ଦେଇ ନାନା-ଉପାଦାନ ସଜାଡ଼ି ଚାଙ୍ଗଡ଼ାମାନ,
‘ପେଡ଼ିଲୁଗା’ ପିନ୍ଧି, ଶିରେ ଘେନିଣ ଚନ୍ଦନ,
ଇଷ୍ଟପୂଜା ଅର୍ଥେ ହର୍ଷେ କରନ୍ତି ଗମନ ।୭୧।
ପୁଣ୍ୟ-ଶ୍ରୀପଞ୍ଚମୀ ମାଘମାସେ
ପୂଜନ୍ତି ସେ ଇଷ୍ଟ ଉପବାସେ,
ଘେନି ଚିତ୍ର ନାରିକେଳ ହୋଇ ଛାତ୍ରବୃନ୍ଦ ମେଳ
ନାନାରଙ୍ଗେ ଗାଇ ଗୀତ ଫେରି ଘରେ ଘରେ
ଅର୍ଜନ୍ତି ଗୁର୍ବର୍ଥେ ଅର୍ଥ ମହାହର୍ଷଭରେ ।୭୨।
ଗାଆଁ ତଳେ ଘନ ଆମ୍ବତୋଟା,
ଆଉ ଗଛ ଅଛି ଗୋଟା ଗୋଟା,
ଦୀନଦୁଃଖିଙ୍କ ସନ୍ତାନ ଧରି ଉଚ୍ଚ ତାନମାନ
ହରନ୍ତି ହୃଦୟ-ବକ-ଚିଲ-ଗୀତ ଗାଇ,
ଗୋଟାନ୍ତି ପତର ଜାଳ ଘେନିଣ ଟୋକାଇ ।୭୩।
ବୃକ୍ଷଡାଳେ ବସି ଶୁକଗଣ
କରୁଛନ୍ତି ସୁମଧୂର ସ୍ୱନ,
ପକ୍ୱଧାନ ଖାଇ ଦିନ କାଟନ୍ତି ହୋଇ ସ୍ୱାଧୀନ
ଆସି କାଣ୍ଡନଳ ବିନ୍ଧ କେଳା ତାଙ୍କୁ ଧରେ,
ବିକି ମୂଲ୍ୟ ନେଇ ନିତି ଯାଏ ଚାଲି ଘରେ ।୭୪।
ବନଫଳ-ନଦୀଜଳାହାରୀ
ପିଞ୍ଜରେ ଆବଦ୍ଧ ଶୁକ ଶାରୀ,
‘‘ପଢ଼ ହରେ ରାମ କୃଷ୍ଣ ଆତ୍ମାରାମ କୃଷ୍ଣ କୃଷ୍ଣ’’
କହି ତାକୁ ଦିଏ କିଏ ବିବିଧ ଆହାର,
ରାବି ପକ୍ଷୀ କରେ ଯତ୍ନ ହେବାକୁ ବାହାର ।୭୫।
ସ୍ୱର୍ଗମୁଖ ଦିଏ ସ୍ୱାଧୀନତା,
ଦାରୁଣ କଷଣ ଅଧୀନତା,
ହୋଇ କ୍ଷୁଦ୍ର ବିହଙ୍ଗମ ଜାଣୁ ସ୍ୱାଧୀନତା ମର୍ମ,
ନ ଉଡ଼ିବୁ ଆଉ ତୋର ବିଶାଳ ଗଗନେ,
ବିହରିବୁ ନାହିଁ ଆଉ ପ୍ରିୟା ସଙ୍ଗେ ବନେ ।୭୬।
ଗଲେ ଚାଲି ପକ୍ଷୀ କିଛି ଦିନ
ନ ହେବୁ ତୁ ପରାଧୀନେ ଦିନ,
ଦାସତ୍ୱ-ଶୃଙ୍ଖଳେ ରହି ଗଲେ କିଛି କାଳ ବହି
ନ ପଡ଼ିବ ମନେ ଆଉ ପ୍ରଶସ୍ତ ଗଗନ,
ଆବଦ୍ଧ ପାତକୀ ପାପପିଞ୍ଜରେ ଯେସନ ।୭୭।
ଗ୍ରାମପ୍ରାନ୍ତେ ମନୋରମ ସ୍ଥାନ
ଗ୍ରାମଦେବତାଙ୍କ ଅଧିଷ୍ଠାନ;
ଶ୍ରୀଫଳ ଅଶ୍ୱତ୍ଥ ବଟ କରୁଛନ୍ତି ରଟମଟ
ସଘନେ ବ୍ରତତିପନ୍ତି ହୋଇଛନ୍ତି ଛନ୍ଦି
ଫୁଟି ସୁଶୋଭିତ ଦିଶେ ପୁଷ୍ପ କନ୍ଦି କନ୍ଦି ।୭୮।
କାହିଁ ‘‘ହରିବୋଲ-ବଟମୂଳେ’’
ପୂର୍ଣ୍ଣିମା ସଙ୍କ୍ରାନ୍ତି ରାତ୍ରେ ଠୁଳେ
ଗ୍ରାମ ‘‘ସତପନ୍ଥୀ’’ ଗଣ ରାନ୍ଧ ମହୋତ୍ସବ ଅନ୍ନ
ଭେଦାଭେଦ ନ ବିଚାରି ଭୁଞ୍ଜନ୍ତି ‘‘ପ୍ରସାଦ’’,
ଗାଉଥାନ୍ତି ‘‘ମନବୋଧ ଚଉତିଶା’’ ଛାନ୍ଦ ।୭୯।
ଖଞ୍ଜଣି ବଜାଇ ସୁଜ୍ଞଜନ
ଗାଉଥାନ୍ତି ଚୌପଦୀ ଭଜନ
ଗଞ୍ଜାନିସାରେ ଉନ୍ମତ୍ତ ହୋଇ ଭଗବତଭକ୍ତ,
ବିପଦକାଳରେ ବସେ ‘‘ସପ୍ତା’’ ଏହି ସ୍ଥାନେ,
ଶୁଣନ୍ତି ଶାସ୍ତ୍ରୀୟ ଗାଥା ଗ୍ରାମବାସିମାନେ ।୮୦।
ଗ୍ରାମମହାଦେବଙ୍କ ବସତି,
ପବିତ୍ର ପ୍ରଶାନ୍ତ ସ୍ଥାନ ଅତି,
ବିଲ୍ୱଫଳ-ନାରିକେଳ- ଗୁବାକାଦି ବୃକ୍ଷ ମେଳ
ହୋଇଣ ଦିଶନ୍ତି ଆହା ବଡ଼ ମନୋରମ,
ଏସ୍ଥାନେ ବସିଲେ ଆପେ ଆସଇ ସଂଯମ ।୮୧।
ଶିବଚତୁର୍ଦ୍ଦଶୀ ନିଶାପର୍ବେ
ଗ୍ରାମ-ସୀମନ୍ତିନୀ ଆସି ସର୍ବେ
ମାଗନ୍ତି ପ୍ରଦୀପ ଜାଳି ଶିବେ କେତେ ବର ବାଳୀ,
ପ୍ରତିଦିନ, ବାର ପର୍ବେ, ଗ୍ରାମବାସିଗଣ
ଭକ୍ତିଭରେ ମହାଦେବ କରନ୍ତି ଦର୍ଶନ ।୮୨।
ବେଲପତ୍ରୀ ପାଦୁକ ଚନ୍ଦନ
ଘେନି ବିପ୍ର କରନ୍ତି ଭ୍ରମଣ
ପଲ୍ଲୀ-ଗ୍ରାମେ ଘରେ ଘରେ ଦେଇ ଯଜମାନ କରେ
ପଞ୍ଚାମୃତ ଆଦି କରି ଦେବତା-ପ୍ରସାଦ,
ଯାହା ସେବି ଘୁଞ୍ଚି ଯାଏ ପରମ ପ୍ରମାଦ ।୮୩।
ଦେଖି ଦେଖି ପଲ୍ଲୀ-ଗ୍ରାମ-ଶୋଭା
କି ସୁନ୍ଦର ଆହା ମନୋଲୋଭା !
ଭୁଞ୍ଜି ଶୋଭା ମଧୁରିମା ଛାଡ଼ି ଅଛି ଗ୍ରାମସୀମା
ଗ୍ରାମସୀମା ଦେଇ ବହେ ନିର୍ଜନେ ସରିତ,
ନଦୀବୃକ୍ଷେ ଭାସିଯାଏ ବିଦେଶୀ-ବୋଇତ ।୮୪।
ତଟିନୀ-ପୁଳିନ ଉଚ୍ଚଦେଶ
ନିର୍ଜ୍ଜନ ନିସ୍ତବ୍ଧ ଗ୍ରାମ ଶେଷେ
ନାନା ପ୍ରକାଣ୍ଡ ବିଟପୀ ଘନ ଗୁଳ୍ମ ଲତା ଟପି
କାହି ଉଭା ହୋଇଛନ୍ତି ଭେଦି ଅଭ୍ରଦେଶ,
କ୍ଷୁଦ୍ର ଜନ ମଧ୍ୟେ ଯେହ୍ନେ ମହାତ୍ମା ବିଶେଷ ।୮୫।
ଏହି ସ୍ଥାନେ ଗ୍ରାମର ଶ୍ମଶାନ,
ଥିଲେ ଗ୍ରାମେ ଦୀନ ଭାଗ୍ୟବାନ,
ତେଜିଣ ସଂସାରମାୟା ଯେବେ ବିସର୍ଜିଲେ କାୟା
ଏହି ସ୍ଥାନେ ହେଲେ ସର୍ବେ ଭସ୍ମେ ପରିଣତ;
ସ୍ମୃତିପଟେ ଉଦ୍ଭାସଇ ଅଦ୍ଭୁତ ଜଗତ ।୮୬।
କି ବର୍ଣ୍ଣିବି ସେ ମୃତ୍ୟୁ-ସଂସାର,
ଅତୀତ ସେ କ୍ଷେତ୍ର ବର୍ଣ୍ଣନାର,
ଅପୂର୍ବ ବିଷାଦ ଆସି ମୋର କ୍ଷୁଦ୍ର ପ୍ରାଣ ଗ୍ରାସି
ଘୋଟିଲା ନିମେଷ ମଧ୍ୟେ ନିଖିଳ ଜଗତ,
ମୃତ ପ୍ରିୟଜନ ସ୍ମୃତି ହୃଦୟେ ଜାଗ୍ରତ ।୮୭।
କ୍ଷୁଦ୍ର ଗ୍ରାମେ କେତେ ପରିବାରେ
ନିକ୍ଷେପିଣ ଶୋକ-ଅନ୍ଧକାରେ
ଜନକ ଜନନୀ କେହି, ସନ୍ତାନେ ପରମସ୍ନେହୀ,
ଭ୍ରାତା ଭଗିନୀ ବା ପ୍ରିୟେ ତେଜିଣ ଏ ସ୍ଥାନେ
ଅଛନ୍ତି ବିଲୟ ଲଭି ଭୀଷଣ ଶ୍ମଶାନେ ।୮୮।
ପ୍ରାଣପ୍ରିୟା ଶିଶୁ ସ୍ୱସନ୍ତାନ
ତେଜି ମାତା କରିଛି ପ୍ରୟାଣ,
ପ୍ରିୟତମ ପରିବାର ଛାଡ଼ି ଗୃହସ୍ଥ ତାହାର
ଆସି ଏଥି ଶୋଇଅଛି ଅଚିନ୍ତା ନିଦ୍ରାରେ,
ଭସାଇ କୁଟୁମ୍ବବର୍ଗେ ଶୋକ-ପାରାବାରେ ।୮୯।
କାର୍ଯ୍ୟଦକ୍ଷ ପ୍ରବୀଣ ସଂସାରୀ
ଅତୁଳ ସମ୍ପଦ-ଅଧିକାରୀ
ନିଜ ସୁଦୀର୍ଘ ଜୀବନେ ଯାପିଣ ଅର୍ଥୋପାର୍ଜନେ
କେତେ ପ୍ରତିବାସୀ ଗଳା ଟିପିଲା ସେ ହେଳେ,
କି କଲା ସେ ପାପଧନ ତାର ଶେଷ ବେଳେ ?୯୦।
ତେଜି ଦୁଃଖେ ରଙ୍କପ୍ରାଣଧନ
ଲଭିଅଛି ବିଧ୍ୱଂସ କୃପଣ,
ସହିଣ ଉଦର କ୍ଳେଶ ଧରିଣ ମଳିନ ବେଶ
ବହୁତ ସମ୍ପତ୍ତି ଯତ୍ନେ ସମ୍ପାଦି ସେ ଥିଲା,
ପ୍ରାଣ ଗଲାବେଳେ କିଛି ସଙ୍ଗେ ନ ଘେନିଲା ।୯୧।
ସୁମଧ୍ୟମା ଯୁବତୀ ନବୀନା
ଅପାଙ୍ଗେ ପ୍ରଣୟୀ ଯାର କିଣା,
କାହିଁ ଗୁରୁ ଲୋକ ଭୁରୁ କାହିଁ ତାର ପୀନ ଉରୁ ।
ତେଜି ଭୋଗତୃଷ୍ଣା କେଉଁ ବିଦେଶେ ଲୁଚିଛି ।
ତା ଚୂର୍ଣ୍ଣକୁନ୍ତଳ ଏଥି ପଡ଼ି ତ ରହିଛି ।୯୨।
ସୁହାସିନୀ ନବୀନା-କାମିନୀ
ନବକାନ୍ତ-ପ୍ରାଣ-ପ୍ରଣୟିନୀ
ତେଜି ତା ମନ୍ଥର ଗତି ଟହଟହ ହାସ୍ୟ ଅତି,
ତେଜି ତା ନବସଂସାର ନେଇଛି ଆଶ୍ରୟ
ଏକା ଏ ନିର୍ଜନେ, କେହି ନାହାନ୍ତି ତା ସହ ।୯୩।
ବିକଟାଳ ସ୍ଥଳ ଏ ଶ୍ମଶାନ,
ପଡ଼ିଅଛି ଶବ ଅସ୍ଥିମାନ,
ରାତ୍ରେ ଚିରଗୁଣୀମାନେ ସେକନ୍ତି ନିଜ ସନ୍ତାନେ,
ବିକଟେ ଗୋମାୟୁଗଣ କରି ଅଟ୍ଟହାସ
କୁହାଟେ ଝୁଣନ୍ତି କେବେ ଶବ ସଢ଼ାମାଂସ ।୯୪।
ଅତି ନିଛାଟିଆ ଏ ମଶାଣି,
ବିହରନ୍ତି ଭୁତ ଓ ଡାଆଣୀ,
ବୃକ୍ଷ କରେ ରଡ଼ମଡ଼, ପକ୍ଷୀ ପକ୍ଷ ଧଡ଼ପଡ଼,
ବୃକ୍ଷେ ବସି ରାବେ କେବେ କାଉ ‘କାଆ କାଆ’,
ପ୍ରାଣୀକୁ ଶ୍ମଶାନ କିବା ଡାକେ ‘ଆଆ ଆଆ’ ।୯୫।
ବୃଥା ଏ ପାର୍ଥିବ ଅଭିମାନ,
ଜାତି, କୁଳ, ଧନ, ଜନ, ମାନ,
ଜୀବନ-ଯୌବନ-ଗର୍ବ, ରାଜ୍ୟ, ବିଦ୍ୟା, ଯଶ ସର୍ବ
କାଳବଳେ ଏକାବେଳେ ଭଜନ୍ତି ବିଲୟ,
ଚରମ କାଳରେ କେହି ନ ଗମନ୍ତି ସହ ।୯୬।
କହ ନଦି ! କେବଣ ଉଦ୍ଦେଶେ
କାହୁଁ ଆସୁ ଯାଉ କେଉଁ ଦେଶେ ?
ଆଦି ଅନ୍ତ ତୋର ମୋର ଘୋଟିଛି ଅନ୍ଧାର ଘୋର,
ଜ୍ଞାନିଜନେ ଦେଖିଛନ୍ତି ତୋର ଆଦି ଶେଷ,
କେ କହି ପାରିବ ନଦି ! ମୋହର ସନ୍ଦେଶ ?୯୭।
ଗ୍ରାମେ କାହିଁ ବସେ ପାଳିହାଟ,
ପୂରି ଯାଏ ଗ୍ରାମ ବାଟ ଘାଟ;
ଆସିଣ ଦୋକାନୀମାନେ ବସି ନିଜ ନିଜ ସ୍ଥାନେ
ଯେ ଯାହାର ସଉଦା ସେ କିଣନ୍ତି ବିକନ୍ତି,
ପଇସା କଉଡ଼ି ରବି ବଦଳ ରଖନ୍ତି ।୯୮।
ପାନ, ଗୁଆ, ମିଠାଇ, ଉଖୁଡ଼ା,
ଖଜା, ମୁଆଁ, ମୁଢ଼ି, ଗୁଡ଼, ଚୂଡ଼ା,
ହଳଦି, ତେଲ, ନଡ଼ିଆ, କଦଳି, ମାଛ, ଶୁଖୁଆ,
କାଠ, ହାଣ୍ଡି, ଲୁଣ, ରବି, ପରିବା, ଚାଉଳ-
ଆଦି ବିକା କିଣା ହୁଏ, ଶୁଭଇ ଚହଳ ।୯୯।
ବହୁଜନ ମିଳନ୍ତି ଯେଠାରେ,
କଳି ଗୋଳ ଲାଗଇ ସେଠାରେ,
ଅଛଇ ହାଟଦଣ୍ଡିଆ ହୋଇ ହାଟ ମଧ୍ୟେ ଠିଆ,
କଳି ଗୋଳ ହେଲେ ହାଟେ ସେହି ଭାଙ୍ଗିଦିଏ,
ଦୋକାନୀମାନଙ୍କଠାରୁ ତୋଳା କରି ନିଏ ।୧୦୦।
ସରିଗଲେ ସଉଦାଟି ହାଟେ
ଚାଲିଯାଏ ଯେହୁ ଯାହା ବାଟେ,
ଦେଖି ଏସନ ସ୍ୱଭାବ ମୋ ମନେ ଜାଗେ ଏ ଭାବ-
ଏ ଭବ ଅଟଇ ହାଟ, ସରିଲେ ବେଭାର
ବାଟ ଧରି ଚାଲିଯାନ୍ତି ସର୍ବେ ଯେ ଯାହାର ।୧୦୧।