Unknown

 

ଶ୍ରୀ ଗାନ୍ଧି ମାହାତ୍ମ୍ୟ

ଜଗବନ୍ଧୁ ସିଂହ

 

ଶୁଣ ସୁଜନେ ଦେଇ ଚିତ୍ତ ।

କହିବା ଉତ୍ତମ ଚରିତ ॥

ପରର ଉପକାର ପାଇଁ ।

ଯେ ନିଜ ଜୀବନ ତେଜଇ ॥

ତାର ଜୀବନ ସିନା ଧନ୍ୟ ।

ତା ଗୁଣ କରିଲେ ଗାୟନ ॥

ନିଜ ଜୀବନ ହୁଏ ଧନ୍ୟ ।

କଲେ ତା ଗୁଣ ସୁମରଣ ॥

 

 

ଭାରତ ବରଷ ମଧ୍ୟରେ ।

ଗୁଜରାଟ ନାମେ ନଗର ॥

କାଠିଆ ବାଡ଼ ନାମେ ଗ୍ରାମ ।

ମହାତ୍ମା ଗାନ୍ଧି ଜନ୍ମସ୍ଥାନ ॥

ଅଠର ଶତ ଅଣସ୍ତୁରି ।

ସାଲେ ଜନ୍ମିଲେ ଦେହଧରି ॥

ଦୁଇ ତାରିଖ ଅକ୍ତୁବର ।

ମାସରେ ଜନମ ତାଙ୍କର ॥

 

 

ବ୍ରାହ୍ମଣ ହୃଦୟ ତାଙ୍କର ।

ବ୍ରାହ୍ମଣ ନୁହନ୍ତି ମାତର ॥

କ୍ଷତ୍ରିୟ ସାହସ ଶକତି ।

ଥାଇ ସେ କ୍ଷତ୍ରିୟ ନୁହନ୍ତି ॥

ପ୍ରାଚୀନ ବଣିଆ ବଂଶରେ ।

ଗାନ୍ଧି ଜନ୍ମିଲେ ଶୁଭବେଳେ ॥

ତାହାଙ୍କ ପିତୃ ପିତା ଗଣ

ପୋରବନ୍ଦରର ଦିଆନ ॥

 

 

ପିତା ତାଙ୍କର ବହୁ କାଳ ।

ଦିଆନ ନାନା ଇଲାକାର ॥

ସମସ୍ତେ ତାହାଙ୍କୁ ମାନନ୍ତି ।

ତାହାଙ୍କ କଥାରେ ଚଳନ୍ତି ॥

ରାଣାଙ୍କ ଅନ୍ୟାୟ ଦେଖିଲେ ।

ବାଧା ଦିଅନ୍ତି ତାଙ୍କୁ ଭଲେ ॥

ମାତା ତାଙ୍କର ଆଛା ଲୋକ ।

ଅଟନ୍ତି ସେ ଖାଣ୍ଟି ଧାର୍ମିକ ॥

 

 

ଧର୍ମ କର୍ମରେ ସଦା ମତି ।

ସ୍ୱାମୀଙ୍କୁ ସଦା ଖଟିଥାନ୍ତି ॥

ସନ୍ତତ ଇଛା ତାହାଙ୍କର ।

ପିଲାଏ ହେବେ ଯୋଗ୍ୟତର ॥

ଅସାଧୁ କଥାକୁ ନ ଯିବେ ।

ଧର୍ମରେ ମତି ଦେଇଥିବେ ॥

ଗାନ୍ଧି ତାଙ୍କର ସାନ ପୁଅ ।

ତାଙ୍କୁ କରନ୍ତି ବଡ଼ସ୍ନେହ ॥

 

 

ମାତାଙ୍କ ଠାରୁ ଶିକ୍ଷା ପାଇ ।

ଗାନ୍ଧି ଚରିତ୍ରବାନ ହୋଇ ॥

ବୟସ ହେଲା ଯେତେବେଳେ ।

ବିଦ୍ୟା ମନ୍ଦିରେ ପଠାହେଲେ ॥

ସେଠାରେ ପାଠ ଶେଷହେଲା ।

ବିଲାତ ଯିବାର ହୋଇଲା ॥

ବହୁ କଷ୍ଟରେ ମାତାଙ୍କର ।

ସମ୍ମତି ପାଇଲେ ଆବର ॥

 

 

ସାତ ସମୁଦ୍ର ତେର ନଈ ।

ନ ଗଲେ ବିଲାତ ନପାଇ ॥

ମାତା ପାଞ୍ଚିଲେ ଯେବେ ଯିବ ।

କାଳେ ଚରିତ୍ର ଭ୍ରଷ୍ଟହେବ ॥

ପୁରୋହିତଙ୍କୁ ଡକାଇଲେ ।

ତାହାଙ୍କ ପରାମର୍ଶ ନେଲେ ॥

ପରାମର୍ଶରେ ହେଲା ସ୍ଥିର ।

ବିଲାତ ଯିବେ ସେ ନିକର ॥

 

 

ମାତ୍ର ସେ ପ୍ରତିଜ୍ଞା କରିବେ ।

ତିନୋଟି କଥା ନ କରିବେ ॥

ଖାଇବେ ନାହିଁ ମଦ୍ୟ ମାଂସ ।

ତୃତୀୟ କଥା ଶୁଣ କିସ ॥

ପର ରମଣୀକି ଦେଖିଲେ ।

ମଣିବେ ମାତା ପରି ହେଲେ ॥

ଆଇନ ପୁରୋହିତ ଆଗେ ।

ଗାନ୍ଧି ପ୍ରତିଜ୍ଞା କଲେ ବେଗେ ॥

 

 

ମାତାଙ୍କୁ ନମସ୍କାର କଲେ ।

ଆନନ୍ଦେ ବିଲାତକୁ ଗଲେ ॥

ମାତାଙ୍କ ଉପେଦଶ ମାନି ।

ଚଳିଲେ ବିଲାତରେ ପୁଣି ॥

ପ୍ରତିଜ୍ଞା ଯାହା କରିଥିଲେ ।

ଅକ୍ଷରେ ଅକ୍ଷରେ ପାଳିଲେ ॥

କେତେ ଛାତ୍ରର ଜୀବନ ।

ବିଲାତ ପରି ରମ୍ୟ ସ୍ଥାନ ॥

 

 

ଅନାଦି ପ୍ରଲୋଭନ ତହିଁ ।

ତହୁଁ କେ ଉଧୁରି ପାରଇ ॥

ମାତା ଆଦେଶ ମନେ ରଖି ।

ଦେଲେ ସେ ସକଳ ଉପେକ୍ଷି ॥

ଖଣ୍ଡା ଦାଢ଼ରେ ବାଟ ଚାଲି ।

ପାଠରେ ମନ ଦେଲେ ଖାଲି ॥

ବୋଉ କଥାକୁ ତୁଚ୍ଛ କଲେ ।

ସହଜେ ପ୍ରତିଜ୍ଞା ପାଳିଲେ ॥

 

 

ମନ ଯାହାର ଅଟେ ଦୃଢ଼ ।

କି କରି ପାରେ କାମ ରାଢ଼ ॥

ଯୌବନ ଅଟଇ ବିଷମ ।

ଇଛିଲେ ସହଜେ ଜଣିମ ॥

କଠୋର ପ୍ରତିଜ୍ଞା ଯାହାର ।

ମାତୃ ଆଦେଶ ଅଟେ ସାର ॥

ଗଲେ ଏ ପ୍ରାଣ ପଛେ ଯାଉ ।

ମାତା ଆଦେଶ ଆନ ନୋହୁ ॥

 

 

ମାତା ପିତାରେ ଯାର ଭକ୍ତି ।

ସହଯେ ଲଭଇ ଉନ୍ନତି ॥

ଶୁଣ ଯୁବକ ଛାତ୍ର ମାନେ ।

ଏ କଥା ଦୃଢ଼େ ରଖ ମନେ ॥

ପାଠ ପଢ଼ିଲେ ବିଲାତରେ ।

ଏମନ୍ତେ କେତେ ବର୍ଷ ପରେ ॥

ହୋଇଲେ ଏକ ବାରିଷ୍ଟର ।

ଭାରତେ ଫେରିଲେ ଆବର ॥

 

 

ଗାନ୍ଧି ଯେ ଭାରତେ ଆସିଲେ ।

ଶୁଣ ତା ପରେ କିସ କଲେ ॥

ହୋଇ ଅଛନ୍ତି ବାରିଷ୍ଟର ।

ବମ୍ବେଇ ଗଲେ ସେ ନିକର ॥

ବମ୍ବେଇ ହାଇକୋଟେ ଗଲେ ।

ସେଠାରେ ବ୍ୟବସାୟ କଲେ ॥

ଉନ୍ନତି ହୋଇଲା ତାଙ୍କର ।

ବହୁତ ଟଙ୍କା ରୋଜଗାର ॥

 

 

ଏମନ୍ତେ କେତେ ବର୍ଷ ଗଲା ।

ତାପରେ ଏମନ୍ତ ହୋଇଲା ॥

ଦକ୍ଷିଣ ଆଫ୍ରିକା ଦେଶରେ ।

ନେଟାଲ ନାମ ପ୍ରଦେଶରେ ॥

ମକଦ୍ଦମାଏ ଉପୁଜିଲା ।

ଓକିଲ ଦରକାର ହେଲା ॥

ଭାରତ ଆଇନିର ଜ୍ଞାନ ।

ଜାଣିବା ଆବଶ୍ୟକ ପୁଣ ॥

 

 

ଏମନ୍ତ ବିଚାର ପଡ଼ିଲା ।

ଗାନ୍ଧି ଯିବାର ସ୍ଥିର ହେଲା ॥

ଅନେକ ଭାରତ ସନ୍ତାନ ।

ସେଠାରେ ବାସକରେ ଜାଣ ॥

ଇଂରେଜ ସେ ସ୍ଥାନ ମାଲିକ ।

ଅଟନ୍ତି ସେଠାର ଶାସକ ॥

ବହୁତ ଇଂରେଜ ସେଠାରେ ।

ବାସ କରନ୍ତି ନେଟାଲରେ ॥

 

 

ମହାତ୍ମା ଗାନ୍ଧି ଚଳିଗଲେ ।

ନେଟାଲ ଦେଶେ ପ୍ରବେଶିଲେ ॥

ଯାହା ସେ ଦେଖିଲେ ସେଠାରେ ।

କେ କେବେ ତା ସହି ନପାରେ ॥

ଇଂରେଜ ପ୍ରଜାଏ ସମାନ ।

ନାହିଁ କିଛି ହିଁ ଭିନ୍ନାଭିନ୍ନ ॥

ଇଂରେଜଙ୍କର ଏହି ନୀତି ।

ଏହା ସେ ପ୍ରଚାର କରନ୍ତି ॥

 

 

ଭାରତେ ଏ ନୀତି ପ୍ରଚାର ।

ଗାନ୍ଧି ଜାଣନ୍ତି ଏ ବେଭାର ॥

ନେଟାଲେ ଦେଖି ଆନ କଥା ।

ଭ୍ରମିଲା ଗାନ୍ଧିଙ୍କର ମଥା ॥

ଗାନ୍ଧିଙ୍କି ଦେଖି ନେଟାଲରେ ।

ଇଂରେଜମାନେ ଘୃଣା କଲେ ॥

ପାଞ୍ଚିଲେ ଏଟା କଳା ଲୋକ ।

ନିଗ୍ରୋଠୁଁ କିଞ୍ଚିତ ଅଧିକ ॥

 

 

ଆଦିମ ଅଧିବାସୀ ଗଣ ।

ନିଗ୍ରୋବୋଲାନ୍ତି ଏହା ଜାଣ ॥

ଅସଭ୍ୟ ବଣୁଆ ମନୁଷ୍ୟ ।

ସେମାନେ ଅଟନ୍ତି ଅବଶ୍ୟ ॥

ଗାନ୍ଧି ସେଠାରେ ପହଞ୍ଚିଲେ ।

ଆବର ଆବେଦନ କଲେ ॥

ସେ ଥାନ ଉଚ୍ଚ ଅଦାଲତ ।

ସେଠାରେ ଦେଲେ ଦରଖାସ୍ତ ॥

 

 

ପାଇଲେ ଅନୁମତି ତାର ।

ସେଠାରେ ହେବେ ବାରିଷ୍ଟର ॥

ଆଇନ ସଭା ଅଛି ତହିଁ ।

ଆପତ୍ତି ଦେଲା ସେ ଦେଖାଇ ॥

ସେ ଦେଶେ ଆଇନ ମରମ ।

କଳା ଲୋକର ନାହିଁ ସ୍ଥାନ ॥

ମାତ୍ର ବିଚାର ଅଦାଲତ ।

ଖଣ୍ତନ କଲେ ସେହି ମତ ॥

 

 

ଗାନ୍ଧିଙ୍କି ଅନୁମତି ଦେଲେ ।

ଓକିଲ ହୁଅନ୍ତୁ କହିଲେ ॥

ମାତ୍ର ସେ ପାଇଲେ ତାକିତ ।

କି ହେବ ଦେଖ ଭବିଷ୍ୟତ ॥

ଊଣିଶ ତେୟାନବେ ସାଲେ ।

ଗାନ୍ଧି ଆଫ୍ରିକା ଯାଇଥିଲେ ॥

ଆବର ବରଷକ ପରେ ।

ନେଟାଲବାସୀ ଆମନ୍ତ୍ରିଲେ ॥

 

 

ସେଠାରେ ଭାରତୀୟ ଜନ ।

ଗାନ୍ଧିଙ୍କୁ କହିଲେ ଏସନ ॥

ଦେଖିପାରୁଛୁ ଆମ୍ଭେମାନେ ।

ପଡ଼ିବୁଁ ବହୁତ କଷଣେ ॥

ଇଂରେଜମାନେ ପାଞ୍ଚିଛନ୍ତି ।

ଆପଦ ଆମ୍ଭର ନିୟତି ॥

ଗାନ୍ଧି ଏସନ କଥା ଶୁଣି ।

ମନରେ ପାଞ୍ଚିଲେ ସେ ପୁଣି ॥

 

 

ସେଠାରେ ରହି କିଛି ଦିନ ।

ଦେଖିବେ କି ହେବ କଷଣ ॥

ସେ ଥାନେ ଥିଲେ ସେ ଆବର ।

କରି ପାରନ୍ତି ଉପକାର ॥

ଏମନ୍ତ ପାଞ୍ଚି ସେ ରହିଲେ ।

ସଭାଏ ସେଠି ବସାଇଲେ ॥

ଆପେ ହୋଇଲେ ସମ୍ପାଦକ ।

ହୋଇଲେ ଲୋକଙ୍କ ସେବକ ॥

 

 

ନ ନେଇ କିଛି ବରତନ ।

ଲୋକସେବାରେ ଦେଲେ ମନ ॥

ନେଟାଲ ଇଂରେଜ ସକଳ ।

ଆପଣା ମଧ୍ୟେ କଲେ ମେଳ ॥

ନେଟାଲ ପାର୍ଲିଆ ମେଣ୍ଟରେ ।

ଆଇନି ଜାରି କରାଇଲେ ॥

ଭାରତ ବାସୀ ଲୋକ କେହି ।

ରହି ପାରିବେ ନାହିଁ ତହିଁ ॥

 

 

ନେଟାଲେ ଭାରତ ବାସୀର ।

ନାହିଁ କିଛିହିଁ ଅଧିକାର ॥

ଗାନ୍ଧି ଦେଖି ଏ ବ୍ୟବହାର ।

ଅସହ୍ୟ ଭାବିଲେ ନିକର ॥

ନାନାଦି ଆନ୍ଦୋଳନ କଲେ ।

ନାନାଦି ଦରଖାସ୍ତ ଦେଲେ ॥

ଫଳରେ ହୋଇଲା ଏମନ୍ତ ।

ଆଇନି ହୋଇଲା ରହିତ ॥

 

 

କିନ୍ତୁ ଇଂରେଜ ଜିଦିଖୋର ।

ନ କଲେ କେବେ ସିଉକାର ॥

ଭାରତ ଲୋକମାନେ କେହି ।

ମତ ତାଙ୍କର ଦେବେ ନାହିଁ ॥

ଶାସନ କାର୍ଯ୍ୟରେ ତାଙ୍କର ।

କିଛିହିଁ ନାହିଁ ଅଧିକାର ॥

ଯେତେ ଭାରତବାସୀ ଜନ ।

ମନେ ମଣିଲେ ଅପମାନ ॥

 

 

ଗାନ୍ଧିଙ୍କୁ ଅଧିକାର ଦେଇ ।

ଭାରତେ ଦେଲେ ପଠିଆଇ ॥

ବୋଇଲେ ଭାରତକୁ ଯାଅ ।

ସେଠାରେ ଆମ୍ଭ ଦୁଃଖ କହ ॥

ଏଣୁ ସେ ଭାରତେ ଫେରିଲେ ।

ଏଠାରେ କଥା ପ୍ରକାଶିଲେ ॥

ନାନା ସ୍ଥାନରେ ସଭା କରି ।

ଏ କଥା ଦେଲେ ସେ ପ୍ରଚାରି ॥

 

 

ପୁସ୍ତୁକ ଏକ ଲେଖି ପୁଣି ।

ଗାଇଲେ ସେ ଦୁଖ କାହାଣୀ ॥

ଭାରତେ ହୋଇଲା ପ୍ରକାଶ ।

ନେଟାଲେ ଗଲା ସେ ସନ୍ଦେଶ ॥

ସାହାବମାନେ ସେଠି ଶୁଣି ।

ରାଗିଲେ ହାଡ଼େ ହାଡ଼େ ପୁଣି ॥

ସନ୍ଦେଶେ ଗଲା ଏ ଖବର ।

ଗାନ୍ଧି ଯେ କରନ୍ତି ପ୍ରଚାର ॥

 

 

ଭାରତ ଲୋକମାନେ ତହିଁ ।

ବହୁତ କଷ୍ଟ ଛନ୍ତି ସହି ॥

ନେଟାଲ ଇଂରେଜ ନିକର ।

କରନ୍ତି ବଡ଼ ଅତ୍ୟାଚାର ॥

ସେଠା ଭାରତବାସୀ ଗଣ ।

ପଶୁଠୁ ହୋଇଛନ୍ତି ହୀନ ॥

କେତେକ ସମ୍ବାଦ ପତର ।

ବୋଲନ୍ତି ତଦାରଖ କର ॥

 

 

ଏଥି ଯେ କିଛି ନାହିଁ ସତ୍ୟ ।

କେବେହେଁ ନୁହଇ ଏମନ୍ତ ॥

ସନ୍ଦେଶ ଯେହୁ ପଠାଇଲା ।

ଟିକିଏ ବଢ଼ାଇ କହିଲା ॥

ଏହି ସମୟେ ଗାନ୍ଧି ଥିଲେ ।

ଦରବାନକୁ ଫେରିଗଲେ ॥

ନେଟାଲେ ହୋଇଲା ଖବର ।

ଆସୁଛି ସେ ଗାନ୍ଧି ଏଥର ॥

 

 

ସଙ୍ଗରେ ଦଳ ବଳ ନେଇ ।

ଉତ୍ତମ କାର୍ଯ୍ୟ ଯେ ଜାଣଇ ॥

ସାହେବ କାରିଗର ଗଣ ।

କାମ ପାଇବେ ନାହିଁ ପୁଣ ॥

ଉଡ଼ା ଖବର ପହଞ୍ଚିଲା ।

ସତ୍ୟତା କେହି ନ ବୁଝିଲା ॥

ସାହେବ ମାନେ ନେଟାଲରେ ।

କ୍ରୋଧରେ ଜର ଜର ହେଲେ ॥

 

 

ସରକାରଙ୍କ କର୍ମ୍ମଚାରୀ ।

ମିଳିଲେ ଏଥି ଆଗଭରି ॥

ହୁକୁମ ହୋଇଲା ପ୍ରଚାର ।

ଗାନ୍ଧିଙ୍କ ଜାହାଜ ଆବର ॥

ଦୂରରେ ଅଟକ ରହିବ ।

ନେଟାଲ ଦେଶେ ନ ଆସିବ ॥

ଏମନ୍ତ ହୁକୁମ ଶୁଣିଣ ।

ଜାହାଜ ମାଲିକ ନପୁଣ ॥

 

 

କଲା ସେ ବିଶେଷ ଆପତ୍ତି ।

ଏକଥା ହୋଇବ କେମନ୍ତି ॥

ସରକାରଂକ ବିରୁଦ୍ଧରେ ।

ନାଲିସ କରିବ ସେ ପରେ ॥

ଏହି ଆପତ୍ତି ଶୁଣି ତାର ।

ହୁକୁମ ଉଠିଲା ଆବର ॥

ଜାହାଜ କୁଳେ ଲଗାଇଲେ ।

ବହୁତ ଲୋକ ସେଠିଥିଲେ ॥

 

 

ସେମାନେ ଏକଥା ଦେଖିଣ ।

ରାଗରେ ହେଲେ ତମ ତମ ॥

ଏକଇ ପୁଲିଶ ଚାକର ।

ଜାହାଜେ ଉଠିଲା ଆବର ॥

ଗାନ୍ଧିଙ୍କି କଲା ସାବଧାନ ।

ଜାହାଜୁ ନ ଓହ୍ଲାଅ ପୁଣ ॥

ଆସିଲେ ବିପଦ ହୋଇବ ।

ରାତ୍ର ହୋଇଲେ ପଛେ ଯିବ ॥

 

 

ଏମନ୍ତେ କିଛିକ୍ଷଣ ପରେ ।

ଆରେକ ଓକିଲ ଆସିଲେ ॥

ଗାନ୍ଧିଙ୍କି କଲେ ନମସ୍କାର ।

ସଙ୍ଗୀ ହୋଇଲେ ତାହାଙ୍କର ॥

ଗାନ୍ଧି ତାହାଙ୍କୁ ସାଥିପାଇଁ ।

ଜାହାଜୁ ଆସିଲେ ଓହ୍ଲାଇ ॥

ରାତିକି ଅପେକ୍ଷା ନ କଲେ ।

ମନରେ ସାହସ ବାନ୍ଧିଲେ ॥

 

 

ଇଂରେଜ ମାନେ ନ୍ୟାୟପର ।

କରିବେ ନାହିଁ ଅତ୍ୟାଚାର ॥

ଏହି ବିଶ୍ୱାସ ମନେ ରଖି ।

ମନରୁ ସଂଶୟ ଉପେକ୍ଷି ॥

ନେଟାଲ ଯିବାକୁ ଚାଲିଲେ ।

ବାଟରେ ଧରା ପଡ଼ିଗଲେ ॥

ସେ ଲୋକେ ତାଙ୍କୁ ଘେରିଗଲେ ।

ମାରିଣ ଦରମରା କଲେ ॥

 

 

ପୁଲିସ ସାହେବ ରମଣୀ ।

ଧାଇଁ ଅଇଲେ ଏହାଶୁଣି ॥

ଗାନ୍ଧିଙ୍କି ପରିଚୟ କଲେ ।

ଛତା ଘୋଡ଼ାଇ ରକ୍ଷାକଲେ ॥

ଲୋକମାନଙ୍କୁ ତଡ଼ିଦେଇ ।

ସଙ୍ଗେ ତାହାଙ୍କୁ ଗଲେନେଇ ॥

ଭାରତ ଲୋକ ବନ୍ଧୁଘରେ ।

ଗାନ୍ଧିଙ୍କୁ ନେଇ ଛାଡ଼ିଦେଲେ ॥

 

 

ସେଠାରେ ଯାଇ ପହଞ୍ଚିଲେ ।

ମନରେ ଏମନ୍ତ ପାଞ୍ଚିଲେ ॥

କାଳେ ସେ ଲୋକମାନେ ପୁଣ ।

ଏଠାକୁ କରି ଆଗମନ ॥

ବନ୍ଧୁଙ୍କ ଉପରେ ମୋହର ।

କରିବେ ନାନା ଅତ୍ୟାଚାର ॥

ଏକଥା ମନକୁ ପାଞ୍ଚିଲେ ।

ପଳାଇବାକୁ ବାଧ୍ୟ ହେଲେ ॥

 

 

କନେଷ୍ଟବଳ ବେଶ ଧରି ।

ପଳାଇ ଗଲେ ଲୁଚିକରି ॥

ଏମନ୍ତେ କେତେଦିନ ଗଲା ।

ଲୋକଙ୍କ ମନ ଶାନ୍ତହେଲା ॥

ସେ ଦେଶ ସମ୍ବାଦ ପତର ।

କ୍ଷମା ପ୍ରାର୍ଥନା କରିବାର ॥

କେତେକ ଥର ଦେଖାଗଲା ।

ଏମନ୍ତେ କେତେକାଳ ଗଲା ॥

 

 

ଦିନେ ଇଂରେଜ କର୍ମଚାରୀ ।

ଗାନ୍ଧିଙ୍କି ଦେଖିଲେ କିପୁରି ॥

ବହୁତ ଦୁଃଖିତ ବୋଇଲେ ।

ହୋଇଲେ ସେ ଚିହ୍ନି ନଥିଲେ ॥

ତାଙ୍କର ଅଛି ଏତେ ଗୁଣ ।

ଜାଣି ନଥିଲେ ସେହୁପୁଣ ॥

ଭାରତ ବାସୀଙ୍କର ଗୁଣ ।

ଜଣା ନଥିଲା ତାଙ୍କୁ ପୁଣ ॥

 

 

ଏମନ୍ତେ କେତେ କଥା କହି ।

ଗାନ୍ଧିଙ୍କୁ ପ୍ରବୋଧିଲେ ଯାଇଁ ॥

ଏଥିରୁ ବୁଝିବ ଏଥର ।

ଇଂରେଜଙ୍କର ବ୍ୟବହାର ॥

ଯେଉଁ ଭାରତ ବାସୀଗଣ ।

ନେଟାଲେ ରହିଛନ୍ତି ଜାଣ ॥

ଇଂରାଜମାନେ ତାଙ୍କୁ କେହି ।

ପାରନ୍ତି ନାହିଁ ଦେଖି ସହି ॥

 

 

ମଣନ୍ତି ଏ ଗୁଡ଼ାକ ନୀଚ ।

ସେମାନେ ସିନା ଏକା ଉଚ୍ଚ ॥

କୀଟ ପତଙ୍ଗ ତୁଲ୍ୟ ମଣି ।

ଘୃଣା କରନ୍ତି ପୁଣ ପୁଣି ॥

ଏମନ୍ତେ କେତେ ଦିନ ଗଲା ।

ବୁଆର ଯୁଦ୍ଧ ଆରଂଭିଲା ॥

ବୁଅର ଇଂରେଜ ସହିତ ।

ଲଢ଼େଇ ହୋଇଲା ବହୁତ ॥

 

 

ମହାତ୍ମା ଗାନ୍ଧି ତେତେବେଳେ ।

ସରକାରଙ୍କୁ ଜଣାଇଲେ ॥

ଭାରତ ଲୋକମାନେ ଯିବେ ।

ଯୁଦ୍ଧରେ ସାହାଯ୍ୟ କରିବେ ॥

 

 

ପ୍ରଥମେ ହୋଇଲା ଆପତ୍ତି ।

ଶେଷକୁ ଦେଲେ ସନମତି ॥

ଗାନ୍ଧି ଗଢ଼ିଲେ ଏକଦଳ ।

ହଜାରେ ଲୋକ କଲେ ଠୁଳ ॥

କହିଲେ ତୁମ୍ଭେମାନେ ଯିବ ।

ଆହତ ଲୋକଙ୍କୁ ବୋହିବ ॥

ଯୁଦ୍ଧେ ଯେମାନେ ମରିଯାନ୍ତି ।

ତା ଶବ ଏମାନେ ବହନ୍ତି ॥

 

 

ଏମାନେ ଭଲ କାର୍ଯ୍ୟ କଲେ ।

ପଛକୁ ପ୍ରଶଂସା ପାଇଲେ ॥

ଗାନ୍ଧିଙ୍କ ସୁନାମ ହୋଇଲା ।

ତାହାଙ୍କୁ ପଦକ ମିଳିଲା ॥

ଏ ଅଟେ ଯୁଦ୍ଧ ପୁରସ୍କାର ।

ଖୁସିରେ ଦେଲେ ସରକାର ॥

ଗାନ୍ଧି କିମ୍ପାଇ ଏହା କଲେ ।

ବୁଝ ପାଠକେ ଏହା ଭଲେ ॥

 

 

ଭାରତ ଲୋକମାନେ ଯାଇ ।

ଏ କାମ କରିବେ କିମ୍ପାଇ ॥

ତାଙ୍କର ଥିଲା ଏ ଉଦ୍ଦେଶ୍ୟ ।

ଏ କାମ କରିବା ଅବଶ୍ୟ ॥

କାର୍ଯ୍ୟରେ ଉଚ୍ଚ ନୀଚ ନାହିଁ ।

ସକଳ ସମାନ ଅଟଇ ॥

ଯେ କାର୍ଯ୍ୟ ଯେବେଳେ ପଡ଼ିବ ।

ଭାରତ ଲୋକ ତା କରିବ ॥

 

 

ତାହାର ସତ୍ୱ ଯାହା ଥିବ ।

ନିଶ୍ଚୟ ଦାବି କରି ନେବ ॥

ସବୁଠି ଅଂଶ ଅଛି ତାର ।

ନୁହେ ସେ ଦେଶରୁ ବାହାର ॥

ନେଟାଲ ବାସୀ ସେ ହୋଇବ ।

ସୁଖ ଦୁଃଖରେ ଦାୟୀ ହେବ ॥

ରଜା ପରଜା ଭାବ ପୁଣ ।

ନ କଲେ ରହିବ କେସନ ॥

 

 

ରଜାକୁ ଆପଦ ପଡ଼ିଲେ ।

ଅଣ୍ଟା ଭିଡ଼ିବ ଅବହେଳେ ॥

ପରଜା ସତ୍ୱ ହାନି ହେଲେ ।

ଦାବି କରିବ ନେବ ବଳେ ॥

ଏ ସାଧାରଣ କାର୍ଯ୍ୟେ କ୍ଷେତ୍ର ।

ଏଥିରେ ଏହା ମୂଳ ମନ୍ତ୍ର ॥

ମହାତ୍ମା ଗାନ୍ଧିଙ୍କର ନୀତି ।

ସକଳ କାର୍ଯ୍ୟ ସେ ଲଗାନ୍ତି ॥

ତେଣୁ ସେ ଏହି ଯୁଦ୍ଧ ବେଳେ ।

ଭାରତ ଲୋକ ପଠାଇଲେ ॥

 

 

ଏମନ୍ତେ କେତେ ଦିନ ପରେ ।

ଗାନ୍ଧି ଯେ ଅସୁସ୍ଥ ହୋଇଲେ ॥

ପିଲା କବିଲା ସଙ୍ଗ କରି ।

ଦେଶକୁ ଅଇଲେ ସେ ଫେରି ॥

ନେଟାଲ ଭାଇମାନେ ମିଳି ।

ତାଙ୍କୁ ଭେଟିଲେ ସୁନା ଥାଳି ॥

ବହୁତ ଧନ ରତ୍ନ ଦେଲେ ।

ଗାନ୍ଧି ସେ ସବୁ ନ ଛୁଇଁଲେ ॥

ଫେରାଇ ଦେଲେ ସେ ସମସ୍ତ ।

ବୋଇଲେ କରିବ ଏମନ୍ତ ॥