ଅଛି ମୁଁ ମନ୍ଦିରେ ମନ୍ଦିରେ
ମନ ମନ୍ଦିରେ, ହୃଦ ମନ୍ଦିରେ-
ଭକ୍ତ ମନ୍ଦିରେ ଥାଏ ବନ୍ଦୀରେ
ନ ଥାଏ ମୁଁ ଅଭିସନ୍ଧିରେ।୦।
ସୁନା ଚାନ୍ଦିରେ ନୁହଁ ଧନ୍ଦିରେ
ନ ଥାଏ ଫିକରଫନ୍ଦିରେ
ଦେହ ଇନ୍ଦ୍ରିରେ ନୁହଁ ବାନ୍ଧିରେ
ନ ଭୁଲ ବାସନା-ବୁଦ୍ଧିରେ। -ହୃଦମନ୍ଦିରେ।୧।
ଅଷ୍ଟ ସିଦ୍ଧିରେ ନବ ନିଧିରେ
ଅଥବା ସକଳ ଋଦ୍ଧିରେ
ହୁଏନି ବାନ୍ଧି-ପାଇବୁ କାନ୍ଦି
ଖୋଜିଲେ ଅନ୍ତର ଶୁଦ୍ଧିରେ। -ହୃଦମନ୍ଦିରେ।୨।
ବେଦ –ବିଧିରେ ପ୍ରାଣ ରନ୍ଧିରେ
ନ ପାରିବୁ ମୋତେ ଛନ୍ଦିରେ –
କମଳନିନ୍ଦି ପୟରବନ୍ଦି
ବୈକୁଣ୍ଠ ବୁଲୁଛି କାନ୍ଦିରେ। -ହୃଦମନ୍ଦିରେ।୩।
ଅନାମ ପାଟଣା ହାଟେ କରମନ କାରବାର
ଅନେକ କାଳର କଷ୍ଟ
ଅଳପକେ ହେବ ଦୂର।୦।
ବସିଛି ବଣିଆ ବୁଢ଼ା ମେଲିଣ ଦୋକାନପୁଡ଼ା
ଯାହା ତୋର ହେବ ଲୋଡ଼ା
ମାଗିଲେ ଦେବ ସତ୍ଵର।୧।
ଅଲେଖା ହିସାବ ତାର ଅକ୍ଷର ମଧ୍ୟୁଁ ବାହାର
ନାହିଁ କାଗଜ ପତର
ରେଫେ ନଯାଏ ପାସୋର।୨।
ଅମୂଲ୍ୟ ଭକତି ବିନା ନନେବ ସେ ଟଙ୍କା ସୁନା
କୋଟିକେ ଗୋଟିଏ ଗଣା
ହେବୁ କଲେ ସେ ବେପାର।୩।
ବିବେକ-ବିଚାରେ ତୁଳି ଖୋଲି ବିଶ୍ଵାସର ଝୁଲି
ଧର୍ମ-ଅର୍ଥ-କାମ ଭୁଲି
ମୋକ୍ଷକୁ ସଉଦା କର।୪।
ସେ ହାଟେ କରି ସଉଦା ତୁଟାଅ ଦାରିଦ୍ର୍ୟ ବାଧା
ଦ୍ଵିଜ ବୈକୁଣ୍ଠ’ର ଶ୍ରଦ୍ଧା
ରହୁ ଜନ୍ମ ଜନ୍ମାନ୍ତର।୫।
ଅନାରେ ସୁମନା ଥରେ ପ୍ରଣବଠାବକୁ
ଅନୁଭବକର ଜୀବପରମ ଭାବକୁ।୦।
ପଞ୍ଚପାବଛ ମନର,
ତ୍ରିଧାମ ଏକ-ଅକ୍ଷର, ଧ୍ୟାନ- ଦୃଷ୍ଟି ଦେଇ ସ୍ମର,
ସେ ନାମ ବ୍ରହ୍ମକୁ।୧।
ତାରକେ ବ୍ରହ୍ମାଙ୍କ ଘର, ଦଣ୍ଡକେ ବିଷ୍ଣୁ ମନ୍ଦିର,
କୁଣ୍ଡଳୀରେ ମହେଶ୍ଵର,ଏ ତିନି ଦେବଙ୍କୁ।୨।
ଆଦି ଅନାଦି ତା ପରେ,ଦେଖ ତୁ ଜ୍ଞାନ-ନେତ୍ରରେ,
ଉର୍ଦ୍ଧ୍ଵରେ ଚିନ୍ତ ଚିତ୍ତରେ, ଶୂନ୍ୟ ଅନାମକୁ।୩।
ଏହାଠୁ ନିଗମ ଜାତ, ଏହା ତ ସତ୍ୟ ମହତ,
ଏ ତୋର ହୋଇବ ହିତ ବୁଝ ଅନ୍ତିମକୁ।୪।
ସର୍ବଠାବେ ଏହିଭାବେ ପୂରିରହିଛି ଏ ଭବେ
ବଇକୁଣ୍ଠ ବସି ଭାବେ ତାହାରି ପ୍ରେମକୁ।୫।
ଅନାଲୋ ମିତଣୀ କୁଞ୍ଜେ ଝୁଲଣ ଦୋଳିକୁ
ଅପୂର୍ବ ସୁନ୍ଦର
ରାଧାମୋହନ କେଳିକୁ।୦।
ଉଭା ତ୍ରିଭଙ୍ଗ ଠାଣିରେ ଚୋରା ବାଙ୍କ ଚାହାଣିରେ
ନାରୀ ମନ ଦୋହଲାଏ
ବାଇ ମୁରଲୀକୁ।୧।
କଟିଦେଶେ ପୀତବାସ ମୁଖେ ଦରହାସ ଭାଷ
ନୋହିବ କେ ଶୁଣିବଶ
ତା ଚାଟୁ ବୋଲିକୁ।୨।
ରାଈକୁ ଧରି କୋଳରେ ଝୁଲନ୍ତି ଫୁଲ ଦୋଳରେ
ବଇକୁଣ୍ଠ ଧ୍ୟାନ କରେ
ତା’ ପାଦତଳିକୁ।୩।
ଅନ୍ଧକାର କାରାଗାର ଏ ସଂସାରେ ଅନ୍ଧପରି ଏତେ ଦଉଡ଼ି ମରନା,
ଅନ୍ତରେ ନିରେଖ, ଖଟାଇ ବିବେକ ନିଜକୁ ପରଖ, ପରକୁ ବାରନା।୦।
ଯା ହେବାର ଥିବ ହେବ ତା ନିଶ୍ଚୟ,
ସାବଧାନେ ହେଜ, ତେଜ ଭ୍ରାନ୍ତି ଭୟ,
ଯାକୁ ଭାବୁ ମନେ ନିତ୍ୟ ପୁଣ୍ୟମୟ
ଆନମନା ହୋଇ କର୍ତବ୍ୟ ସାରନା।୧।
ଦଉଡ଼ିବୁ ଯେତେ ଧରିବାକୁ ତାକୁ,
ଯାଉଥିବ ଚାଲି ଦୂରକୁ ଦୂରକୁ,
ନିନ୍ଦା ପରଶଂସା ପକାଇ ପଛକୁ
ଆଗମାଡ଼ି ଚାଲ ପଛକୁ ଫେରନା।୨।
ମନ ଘେନି ଧନ ଫଳିବରେ ଫଳ,
କି ହେବ ବୃଥାରେ ହୋଇଲେ ବିକଳ,
ନିରତେ ନୟନୁ ଢ଼ାଳି ଅଶ୍ରୁଜଳ
ମରମକୁ ଏତେ ଚିନ୍ତାରେ ଘାରନା।୩।
ଜଗତରେ ଯେହୁ ସହେ ଯେତେଦୁଃଖ
ଅବଶେଷେ ଭାଗ୍ୟେ ଜୁଟେ ତେତେ ସୁଖ
ଜାଗ୍ରତ କର ତୋ ଚୋତନା ବିବେକ
ବଇକୁଣ୍ଠ ପରି ଅଧୀର ହୁଅନା।୪।
ଅନ୍ଧାର ନଥିଲେ ଆଲୋକ ନଥାନ୍ତା
ଦୁଃଖ ବିନେ ସୁଖେ ନାହିଁ (ହିଁ ହିଁ)
ପାତକର ବିନା ପୁଣ୍ୟରମହିମା
ବୁଝିକି ପାରନ୍ତେ କେହି ? (ହୋ ହୋ)।୦।
ନଥିଲେ ବିଚ୍ଛେଦ ମିଳନର ସ୍ଵାଦ
ଜାଗନ୍ତା ନାହିଁ ମନରେ,
ନିରାଶାର ଲୁହ-ନବହିଲେ, କୋହ-
ଉଠନ୍ତି କିପାଁ ପ୍ରାଣରେ !
ନଥିଲେରେ ବିଷ ବେଦନା- କୁଳିଶ
ସାନ୍ତ୍ଵନା ବାକ୍ୟ କା’ ପାଇଁ ?(ହୋ ହୋ)।୧।
ବଇଶାଖୀ ଖରା ନସହିଲେ ଧରା
ବରଷା ହୁଏ କି କେବେ,
ଅଶନିକୁ ତେଜି ନବଘନ ସାଜି
ବାରିଧାରା କି ସଂଭବେ ?
ନଥିଲେଟି ମିଥ୍ୟା ନଥିବ ସତ୍ୟତା
ଭକ୍ତି ବିନେ ପ୍ରଭୁ କାହିଁ ! (ହୋ ହୋ)
ସ୍ଵର୍ଗ ଥିଲେ ନର୍କ ଅଛିଟି ପ୍ରତ୍ୟକ୍ଷ
ଭାବ ଏହା ମନେ ଭାଇ,
ଥିଲେ ଅଧରମ ନିଶ୍ଚୟ ଧରମ
ଜୀବନେ ଦିନେ ମିଳଇ,
କହେ ବଇକୁଣ୍ଠ ହଟିଆ ଶ୍ରୀକୃଷ୍ଣ
ଅଛି ଏ ନାଟ ଲଗାଇ।(ହଁ ହଁ)।୩।
ଅମ୍ବୁରୁହନେତ୍ରୀରେ ଜନକଗାତ୍ରୀ
ବାରେ ତୁ ମାନ ମୋ ମନା,
ଆହାରେ ଆହ୍ଲାଦିନୀ ଆନନ୍ଦବରଧନୀ
ଶ୍ୟାମପ୍ରେମ ପରମାଦରେ ମଜ୍ଜନା।୦।
(ପଡ଼ି) ତୁ ଅତି ସୁକୁମାରୀ ଆରେ ରାଜକୁମାରୀ,
ଲମ୍ପଟ ରୀତି ଝୁରି ସରିଯିବ ତୋ ଶିରୀ
ନାଗରୀମରା ନାମ ବିଖ୍ୟାତ ତାହାଙ୍କରି
ବରଜି ନିଜସୁଖ ତାସ୍ନେହ ଅରଜନା।୧।
ଶୁଣିଛୁ କି ଗୋ କାହିଁ, କେ ଶିଶୁ କ୍ଷୀର ଖାଇ
ମା’ଏ ଦେଇଛି ଯାତନା ?
କେବଳ ଏକା ସେହି ବାଳକକାଳେ ସହୀ
ସ୍ତନପାନେ ପ୍ରାଣେ ନାଶିଛି ପୂତନା।
(ପଡ଼ି) ଗଜଗାମିନୀ ଧନୀ ଜାଣିନୁ ତା କହାଣୀ
ଗୋପେ କେତେ ତରୁଣୀ କରିଛି ବାଇଆଣୀ
ସେ ଗ୍ରାମେ ତାଙ୍କ ନାମେ ହାଟ ବସିଛି ପୁଣି
କପଟୀ କୃଷ୍ଣପାଇଁ ବିଟପୀ ଗୋପାଙ୍ଗନା।୨।
ଆହୁରି ଶୁଣ ମିତ ଗାଇ ମୁରଲୀ ଗୀତ
ଭୁଲାଇ ନୂଆ ଲଳନା,
ସଞ୍ଜବେଳେ କି ଖଞ୍ଜେ ଓଟାରି ନେଇ କୁଞ୍ଜେ
ଭୁଞ୍ଜାଏ ଗୋ ତାହାଙ୍କୁ ଗୁରୁଜନ ଗଞ୍ଜଣା।
(ପଡ଼ି) ତ୍ରିଭଙ୍ଗ ଛନ୍ଦେ ନୃତ୍ୟ କରିଣ ଗୋପୀନାଥ
ମୋହି ସବୁରି ଚିତ୍ତ ହଜାଇ ପତିବ୍ରତ
ଗୋପେ ଗୋପୀମାନଙ୍କ ସାରିଦିଏ ମହତ
ସତୀ-ହୃଦୟ ଦମ୍ଭ କ୍ଷଣକେ କରେ ଚୂନା।୩।
ମୁନିଙ୍କ ମନଭୁଲା ଧନ୍ୟ ସେ ନନ୍ଦବଳା
ତା’ କଥା ଆଉ କହନା,
ବଇକୁଣ୍ଠର ଗିର ଘେନି ନାଗରୀବର,
ଦୂରୁ ତାକୁ ଜୁହାରକର ପାଶେ ଯାଅନା।
(ପଡ଼ି) ତା ସଙ୍ଗେ ମିଶି ଗଲେ ଫେରିବୁ ନାହିଁ ଭଲେ
କଳଙ୍କ ହେବ କୁଳେ ସବୁ ସରିବ ହେଳେ
କରିଦେବ ସେବଶ କାଉଁରୀ ମନ୍ତ୍ର ବଳେ
ଶେଷରେ ହରବର ସାର ହୋଇବ ସିନା।୪।
ଅକ୍ଷୟ ବ୍ରହ୍ମରେ ପରମ ଧାମରେ
ଲୟ ଲଗା ହୋ ମନ ମାତି ତୁ ନିଷ୍କାମରେ।୦।
ଯହିଁ ନାହିଁ ଗୁଣ ଦୋଷ ନିର୍ମଳ ପ୍ରଭା ପ୍ରକାଶ
ସେହିଠାକୁ କରି ଆଶା ତୁଟାଇଦେ ମୋହ ଫାଶ,
ଶୂନ୍ୟ ପୁରୁଷହୋ, ହୋଇବ ଦୃଶ୍ୟ ହୋ
ସଦାବୁଡ଼ି ରହିବୁ ଶାନ୍ତି ସୁଧା ପ୍ରେମରେ।୧।
ସହସ୍ର ଦଳେ ଯା ଠଣା ଶିବବ୍ରହ୍ମାଙ୍କୁ ଅଜଣା
ନୋହି ଭବବଣେ ବଣା ନିଶ୍ଚଳେ ମନକୁ ମନା
କର ଭାବନା ହୋ, ଉଡ଼ାନ୍ତି ବାନା ହୋ
ପତିତଉଦ୍ଧାରଣ ତେଣୁ ତାଙ୍କ ନାମରେ।୨।
ସେ ପୁରେ ପଶିଲେ ଯାଇ ଯମ ଯାତନା ନ ଥାଇ
ଜନ୍ମମୃତ୍ୟୁ ନ ବାଧଇ ଜନ୍ମେ ଜନ୍ମେ ଥିବୁ ରହି,
ଜାଗ୍ରତେ ଥାଇ ହୋ, ଯତନେ ଧ୍ୟାୟି ହୋ
ବ୍ରହ୍ମ ଭାବରେ ବୁଡ଼ ନ ହୁଡ଼ିଣ କର୍ମରେ।୩।
ପବନ ଫେରା ଉଜାଣି ପାର ହୋଇବୁ ତ୍ରିବେଣୀ
ପ୍ରେମରୂପା ସଖୀଶ୍ରେଣୀ ପାଦେ ଖଟିଛନ୍ତି ପୁଣି
ପରଶମଣିହୋ, ପାରିବୁ ଜାଣି ହୋ
ତାଗୁଣ ଗୁଣି ଧ୍ୟାୟେ ବଇକୁଣ୍ଠ ମନରେ।୪।
ଆଉ ଶ୍ୟାମବନ୍ଧୁ ମୁଖ ଚାହାନ୍ତି ନାହିଁ
ଯେବେ ତାହା ସମବନ୍ଧୁ ଜଣେ ପାଆନ୍ତି ମୁହିଁ।୦।
ପାଇଲେ ମୁଁ ଆନଜଣେ ନ ଢାଳନ୍ତି ନେତ୍ର ତେଣେ
ଯେତେ ଦଗାଦେଲା ବଣେ
କେତେ କହିବି ଫେଇ।୧।
ଖୋଜୁଛି ମୁଁ ମନେ ମନୋ କେହି ନଦିଶେ ତ କେଣେ
ତୁଲ କଲି ପଣେ ପଣେ
ସମ ନୋହିଲେ କେହି।୨।
ତା ଲାବଣ୍ୟ ମୃଦୁ ହାସ ଦେଖି ନୋହିବ କେ ତୋଷ
କରିଥିବ ଯେତେ ଦୋଷ,
ମନୁ ଯିବ ମିଳାଇ।୩।
ସଖୀ, ତାର ଶିଖୀଚୂଳ ଦେଖି ନୋହିବ କୋ ଭୋଳ
ଧୈର୍ଯ୍ୟ ଦିଏ ଟଳାଇ। ୪।
ଯେଣେ ଚାହୁଁଛିରେ ସହୀ ନୟନରେ ନାଚେ ସେହି
ତ୍ରିଭୁବନେ ପୂରି ରହି
ମନ ନେଉଛି ମୋହି।୫।
ଯାହା କରିବ ସେ କରୁ ତା ଆଗେ ମୋ ଦିନସରୁ
ମଲେ ବଇକୁଣ୍ଠ ମରୁ
ତାର ମୂରତି ଧ୍ୟାୟି।୬।
ଆଖି ଟେକି ଟିକେ ଅନାରେ ସୁମନା
ଆଖିଟେକି ଟିକେ ଅନା।
ବିଜେ ବଡ଼ ଦାଣ୍ଡେ ସେ ବଡ଼ ରଥରେ
କାଳିଆର ବଡ଼ନନାରେ, ସୁମନା
ଆଖିଟେକି ଟିକେ ଅନା।୦।
ରଥର ଉପର ଉଡ଼େ ଫରଫର
ପତିତ ପାବନ ବାନା,
ପତିତ ଜନଙ୍କୁ ଦର୍ଶନ ଦେବାକୁ
ଗୁଣ୍ଡିଚା ଯାତରା ସିନାରେ, ସୁମନା।୧।
ଭକ୍ତେ ହୋଇ ଖୁସି ବହୁ ଦୂରୁ ଆସି
ଜଣାନ୍ତି ଯେଝା କାମନା,
ଚାହିଁଦେଲେ ନେତ୍ର ହୋଇବ ପବିତ୍ର,
ତୁଟିବ ସବୁ ବାସନାରେ, ସୁମନା।୨।
ଧରିଣ ଦଉଡ଼ି ନେଉଥାନ୍ତି ଭିଡ଼ି
ନଥାଏ କାହାକୁ ମନା,
ସବୁରୁ ଅନ୍ତରେ ଆନନ୍ଦ ସଂଚରେ
ନୁହଁନ୍ତି କେହିବି ମନାରେ, ସୁମନା।୩।
ବେଠିଆ ବେଗାରୀ ଖଟିଛନ୍ତି ଘେରି
ପାଇ ଖଞ୍ଜା ଦନାକନା,
ବଇକୁଣ୍ଠ ଚିନ୍ତେ ମିଳୁ ଖାଲି ମୋତେ
କୈବଲ୍ୟ କଣିକା ସିନାରେ ସୁମନା।୪।
ଆଗୋ ପ୍ରିୟ ସଖୀ.. ଶିଖାଇଣ ଶ୍ୟାମ ସ୍ନେହେ ଦେଲୁ ଯୋଖି।।ପଦ।।
ସରଳ ମନ ତୁ ଦେଖି ମୋର ସର୍ବଦା ଗାଇଲୁ ଗୁଣତାର
ସୁମଧୁର ବଂଶୀ ମୋ ଶ୍ରୁତିରେ ପଶି,
ସନ୍ତୋଷରେ ମତି ଗଲା ଲାଖି।୧।
ତା ରୂପ ଲାବଣ୍ୟ ଠାଣି ମାଣି ନିତିପ୍ରତି ତୋହଠାରୁ ଶୁଣି
ଦରଶନେ ନେତ୍ର, ଧାଇଁଲା ସତତ,
ସଙ୍ଗେ ଗଲୁ ଆପେ ହୋଇସାଥୀ।୨।
ଚିତ୍ରପଟ ତାର ଦେଖାଇଲୁ ଚିତ୍ତକୁ ମୋ ତହିଁ ଠିକାଇଲୁ
ଚୂଡ଼ା ମଲ୍ଲୀବେଢ଼ା ଚନ୍ଦ୍ରିକା ସଜଡ଼ା
ଚାହିଁ ଚକିତ ହେଲା ମୋ ଆଖି।୩।
ସରସହୃଦୟା ରାଧା ଠାରେ ସରାଗ ନୋହିଲେ ତୋ ଚିତ୍ତରେ
ସାରିଦେଲୁ ସହୀ, ମୋ ସଂସାର ତୁହି,
କୃଷ୍ଣ ପ୍ରେମେ କଲୁଚିର ଦୁଃଖୀ।୪।
ଦାସ ବଇକୁଣ୍ଠ କହେ ସତ ଦୋଷ ଦେବା ମିତେ ଅନୁଚିତ
କରମଲିଖନ ନ ହୋଇବ ଆନ,
ନବ ଅନୁରାଗେ ହୁଅ ସୁଖୀ।୫।
ଆଜ ବ୍ରଜଯୁବରାଜ ସଜ କି ସୁନ୍ଦର ମା
କୋଟିକାମ ଜିଣି ତେଜ ଦିଶେ ଚମତ୍କାର ମା।୦।
ପାଦକୁ ଛନ୍ଦି ପାଦରେ ଶିଖିପୁଚ୍ଛ ବାନ୍ଧି ଶିରେ
ମୃଗମଦ ଚିତା ଭାଲେ ମୁରଲୀ ଅଧର ମା।୧।
ପିନ୍ଧିଣ ପୀତବସନ ଗଳାରେ ମାଳ ସୁମନ
ସାଜିଛି ଅତି ଯତନ ସେ ନଟନାଗର ମା।୨।
ମୃଦୁ ହାସେ ହସି ଦେଇ ତେରଛେ ଦିଏ ଅନାଇ
ନାରୀହୃଦ ଦୋହଲାଇ ଦେବ ତା ଚାତର ମା।୩।
ଗାଇ ରାଧା ରାଧା ନାମ ଉଛୁଳାଏ ବ୍ରଜଧାମ
ନୂପୁର ନାଦରେ ଶ୍ୟାମ କିଣଇ ଅନ୍ତର ମା।୪।
ଦେଖି ତା ତ୍ରିଭଙ୍ଗ ଠାଣି ବିକିଲି ନିଜକୁ ପୁଣି
ବଇକୁଣ୍ଠ ଗୀତେ ଭଣି ଯା ହେଉ ଏଥର ମା।୫।
ଆଜି ଜାଗିଉଠ ମୋ ଅନ୍ତରେ କୃଷ୍ଣ କହ୍ନାଇ
ମୃଦୁ ହାସେ ଧୀର ଧୀର ସୁରେ ବେଣୁ ବଜାଇ।।ପଦ।।
ପିନ୍ଧା ପୀତବାସ ପୀତଧଡ଼ା ଆଡ଼ାକୁ ଚାହିଁ
ଜୁଡ଼ା ମଲ୍ଲୀ ବେଢ଼ାକୁ ମୋ ନେତ୍ର ରହୁହେ ଧ୍ୟାୟି।୧।
ଗଳା ନକ୍ଷତ୍ରମାଳା ବକ୍ଷରେ ସୁଖେ ଖେଳାଇ
ନବଛନ୍ଦେ ନାଚି ଆସ ଶିଖିପୁଛ ଢଳାଇ।୨।
ନୀଳହାତୀ ପ୍ରେମେମାତି ଆସ ଛାତିଫୁଲାଇ
ଦେଖି ତୋ ମୂରତି ମୋ ଅରାତି ଯାଉ ପଳାଇ।୩।
ଶଧା ବଂଶୀ ତାନେ ରାଧା ନାମ ଯାଅ ହେ ଗାଇ
ଶୁଣି ତ୍ରିତାପରୁ ବଇକୁଣ୍ଠ ପାଉ ହେ ତ୍ରାହି।୪।
ଆନନ୍ଦମୟ ଏ ସୃଷ୍ଟି ଆନନ୍ଦ ପାଇଁ
ଆନନ୍ଦମୟ ଯ଼ା ସ୍ରଷ୍ଟା ଆନନ୍ଦଦାୟୀ।୦।
ନାମତାର ନିତ୍ୟାନନ୍ଦ ପ୍ରେମାନନ୍ଦ ଧର୍ମାନନ୍ଦ
ଦୟାନନ୍ଦ ଚିଦାନନ୍ଦ ସଦାନନ୍ଦ ସତ୍ୟାନନ୍ଦ
ପୂର୍ଣ୍ଣାନନ୍ଦ ଜ୍ଞାନପ୍ରଜ୍ଞା କଳନା ନାହିଁ।୧।
ଆନନ୍ଦ ପାଇଁ ସଂସାର ଆନନ୍ଦ ଯା’ କାରବାର
ଆନନ୍ଦ ତାର ବଜାର ଲୀଳାମୟ ଲୀଳାକାର
ଆନନ୍ଦବ୍ରହ୍ମ ସ୍ଵରୂପ ତ୍ରିକାଳ ପାଇଁ।୨।
ଆନନ୍ଦେ ତାର ପ୍ରକାଶ ଆନନ୍ଦେ ତାର ବିକାଶ
ଆନନ୍ଦ ପାଇଁ ବିନାଶ-ବିଚିତ୍ର ସେହି।୩।
ଆନନ୍ଦ ଆନନ୍ଦ ପାଇଁ ଆନନ୍ଦେ ଆନନ୍ଦ ପାଇ
ଆନନ୍ଦେ ଆନନ୍ଦ ଦେଇ ଖୋଇ ଖୁଆଇ
ବଂଚି ବଂଚାଇ।୪।
ଆନନ୍ଦରେ ଭାବ ଲାଭ ଆନନ୍ଦରେ ଜୀବଶିବ
ଧାମତା’ ଆନନ୍ଦଧାମ ନାମ ତା’ ଆନନ୍ଦ ପ୍ରେମ
ଆନନ୍ଦେ ବୈକୁଣ୍ଠ ପାଇ ମରତେ ରହି।୫।
ଆନନ୍ଦେ ନାମ ଉଚ୍ଚାରି ଆନନ୍ଦେ ପ୍ରାଣ ସଂଚାରି
ଆନନ୍ଦେ ହେବା ଆଚାରୀ ଆନନ୍ଦାଚର୍ଯ୍ୟଙ୍କୁ ସ୍ମରି
ଆନନ୍ଦେ ଗୋବିନ୍ଦ ପଦ ବୈକୁଣ୍ଠ ଧାୟି।୬।
ଆରେ ଆରେ ନାଉରୀ ସଞ୍ଜ ଆସୁଛି ଘେରି
ବେଳ ଥାଉଁ ତରଣୀ ମୋ ଲଗା ସେପାରି।୦।
ପାଶେ ନାହିଁ ପଇସା ଉଡ଼ିଯାଏ ତ ହଂସା
ଭରସା ଦେଇ ସୁଚିତ୍ତେ ଶୁଣ ଗୁହାରି।୧।
ହେଲେ ଝଡ଼ ବତାସ ଉଡ଼ିଯିବ ସାହସ
ନିରାଶ ନ କରି ବେଗେ କରିଦେ ପାରି।୨।
ଯେବେ ହେବ ବରଷା ଭୋଗିବି ଦୁରୁଦଶା
ହା’ ହତାଶେ ଘୂରିବି ଏ ଭବ ଭଉଁରୀ।୩।
ନେଇଛି ତୋ ଶରଣ କରନାହିଁ ବାରଣ
କାରଣ କର ଦୀନକୁ ସୁଦୟା କରି।୪।
କହେ ବଇକୁଣ୍ଠିଆ ଆହେ ନଟକୁଟିଆ
ବେଠିଆ କରିଣ ରଖ ଚାକର ପରି।୫।
ଆରେ ନବନବୀନା,
ନବନାଗର ଫାନ୍ଦେ ପଡ଼ିଲୁ କିନାରେ।୦।
ନିତି ଯମୁନା ଯାଉ କରି ବାହାନା,
କି ମନ୍ତ୍ର କଲାଣିକି କାଳିଆ ସୁନାରେ ?୧।
କନକାଙ୍ଗୀ ତୋ ତନୁ ହୋଇବ ଚୂନା
କପଟି କହ୍ନାଠାରେ ମନ ବଳାନାରେ।୨।
ସୁମନା, ମନୁ ତେଜ ତାର କାମନା,
ଆଉ ତା ମୂରତିରେ ମତି ମଜ୍ଜାନା ରେ।୩।
କଦମ୍ବ ମୂଳକୁ ତୁ ଆଉ ନ ଅନା,
କୁଳବଧୂଙ୍କୁ ଏହା କଳଙ୍କ ସିନାରେ।୪।
କହଇ ବଇକୁଣ୍ଠ ମାନ ମୋ ମନା,
ହୁଡ଼ି ଯା କଲୁ କଲୁ ଆଉ, ହୁଡ଼ନା ରେ।୫।
ଆରେ ମନବାଇ,
ହରିନାମରେ ତୋ ରୁଚି ହେଲା ନାହିଁ।
ନ ଭଜି ଶ୍ରୀଗୁରୁ ଏ ମାୟା ସଂସାରୁ
କିପରି ପାର ହୋଇବୁ ତୁହି।୦। ଆରେ...
ବିଶ୍ଵଗୁରୁ ବିଶ୍ଵପିତାମାତା
ସାରାଜଗତର ଜନ୍ମଦାତା
ନ ଭାବି ତାକଥା ବିଷୟ ମମତା
ଚିନ୍ତାରେ ବେଳ ଦେଲୁ ବିତାଇ।୧। ଆରେ....
ପ୍ରବୃତ୍ତି ମାର୍ଗରେ ମଜିଗଲୁ
ନିବୃତ୍ତି ପଥକୁ ନହେଜିଲୁ
ଶାସ୍ତ୍ର ଉପଦେଶ ତେଜି କଲୁ ଆଶ
କାମକ୍ରୋଧ ଦନ୍ଦ୍ଵେ ଛନ୍ଦି ହୋଇ।୨। ଆରେ...
ଯାହାପାଇଁ ଗର୍ବ ଅଭିମାନ-
ବହି ତୁ ଦେଖାଉ ଅଛୁ ଟାଣ
ଶେଷେ ପୁଣି ଦିନେ ବୁଝିବୁଟି ମନେ
ସାହାଭରସା ନୋହିବେ କେହି।୩। ଆରେ...
ଅନ୍ତର ଦେବତା ଅନ୍ତର୍ଯାମୀ
ଆଶ୍ରୟ ନକରି ଗଲୁ ଭ୍ରମି
କହେ ବଇକୁଣ୍ଠ ନ ଚିନ୍ତିଲୁ ଇଷ୍ଟ
ମନ୍ତ୍ର କଷ୍ଟହେଲା ତୋହ ପାଇଁ।୪। ଆରେ...
ଆରେ ମାନସ ଭଜ ବ୍ରଜରାଜତନୁଜ
ବଳାନୁଜ ସୁନ୍ଦର ସରୋଜ ଶ୍ରୀଚରଣ,
ଦମ୍ଭ ଲାଜ ବରଜି ତା ରୂପେ ରହ ମଜି
ଅରଜି ରଖ ସୁଖେ ପ୍ରେମଭକତି ଧନ।୦।
ତେଜି କାମବାସନା କରରେ ଆରାଧନା
ତୁଟିଯିବ ଯାତନା ଯାବତ ମୋହମାନ,
ସୁଖଦୁଃଖ ଅସାର କେଉଁଟି ନୁହେଁ ସ୍ଥିର,
ଅସ୍ଥିର ଏ ମହିରେ ଜୀବନ, ଯଉବନ।୧।
ଛାଡ଼ ଆନ ସଂଗୀତ ଗାଅ ତା ନାମାମୃତ
ଥୋଇ ସେ ପଦେ ଚିତ୍ତ କାମ କରି ଯା ହାତ,
ନିତି ସଞ୍ଜ ସକାଳେ ଜଣା ତାଙ୍କୁ ବିକଳେ
କାଳେ କାଳେ କରନ୍ତୁ ସେ ଶୁଭାଶିଷ ଦାନ।୨।
ଶୟନ କାଳେ ଚିନ୍ତି ଲୟରେ ସେହି ମୂର୍ତ୍ତି
ସୁଖରେ ନିଦ୍ରାଯାଅ ତେଜି ସକଳ ଭୀତି,
ଜାଗ୍ରତେ ହରି ହରି କହରେ ପ୍ରାଣଭରି
ବଇଆ ବ୍ରହ୍ମଚାରୀ କଥା ନକର ଆନ।୩।
ଆସ ଆସ ରସରାଜ ଶ୍ରାରାସ ବିହାରୀ
ରାଈ ସଙ୍ଗେ ନବରଙ୍ଗେ ବଜାଇ ବାଂଶୋରୀ।୦।
ନାଚ ନବତାଳେ ନବଘନ ଶ୍ୟାମ
ପୂରିଉଠୁ ଭକ୍ତ ମନନେତ୍ର ପ୍ରାଣ।
ବ୍ରଜବାସୀ ମେଳେ କଦମ୍ବର ମୂଳେ
ନାଚିଥିଲ ଦ୍ଵାପରରେ ଯେପରି ମୁରାରି।୧।
ଚାରୁ ଚରଣରେ ସଜାଇ ନୂପୁର
ହୃଦୟକୁଞ୍ଜରୁ ଘୁଞ୍ଚାଅ ଅନ୍ଧାର
ବନଫୁଲ ମାଳ ମଣ୍ଡି ବକ୍ଷସ୍ଥଳ
ଗୋପୀଙ୍କର ମେଳେ ଘୂରି ନାଚ ଥିରି ଥିରି।୨।
ଦରଦର ହାସେ ମୋହି ସର୍ବ ଜନ
ଦରଶକ ଦେହେ ଜଗାଅ ଚେତନ
କାମନା ପଳାଉ ଦୂରେ ମହାବାହୁ
ନୂତନ ଉତ୍ସାହେ ମନ ମତାଅ ସବୁରି।୩।
ଆହେ ପ୍ରେମମୟ କର ପ୍ରେମଦାନ,
ଯା ପରଶେ ତୃପ୍ତ ହୋନ୍ତୁ ଭକ୍ତ ଜନ
ଭୁଲିଯାନ୍ତୁ ଦେହ ବିଷୟାଦି ମୋହ
ଲୟକରି ଯିବତରି ବଇ ବ୍ରାହ୍ମଚାରୀ।୪।
ଆସ ଆସ ସହି ସଙ୍ଗାତ
ସାଥି ହୋଇଯିବା ତୁଳସୀ କ୍ଷେତ୍ର,
ବରଷକେ ଥରେ ହେଉଛି ସେଠାରେ
ଆଜି ପରା ପୁଣ୍ୟ ଗୁଣ୍ଡିଚା ଯାତ।୦।
ବିଜେ ମହାବାହୁ ବଳଦେବ ଜିଉ
ବଡ଼ଦାଣ୍ଡେ ଉଭା ସେ ବଡ଼ରଥ,
ଦରଶନେ ଧନ୍ୟ ହୋଇବ ଜୀବନ
ଏ ପାପନୟନ ହେବ ପବିତ୍ର।୧।
ହରିବୋଲ ହୁଳହୁଳିରେ ଉଚ୍ଛଳି
ଉଠଇ କିପରି ଶୁଣ ଗୋ ମିତ,
ଘଣ୍ଟ ଘଣ୍ଟା ଭେରୀ ମର୍ଦଳ ମହୁରୀ
ଶବଦେ ଚମକି ପଡ଼ଇ ଚିତ୍ତ।୨।
ଦଉଡ଼ିକୁ ଧରି ନିଅନ୍ତି ଓଟାରି
ମିଳିମିଶି ଶତ ଶତ ଭକତ,
ପଣ୍ଡା ପଢ଼ିଆରୀ ହସ୍ତ ଯୋଡ଼ିକରି
ଗାଉଛନ୍ତି କେତେ ସ୍ତବ ସଙ୍ଗୀତ।୩।
ସିଂହଦ୍ଵାର ଠାରୁ ଗୁଣ୍ତିଚା ଘରକୁ
ଅନାଇଲେ ଦିଶୁ ନାହିଁ ତ ପଥ
ସେ ଭିଡ଼ ଭିତରେ ପଶିଗଲେ ଥରେ
ଝାଳେ ଜରଜର ହୁଏ ଦେହ ତ।୪।
ଧନ୍ୟ ଏ ଅନନ୍ତ ଲୀଳା ଅଦଭୁତ
କିଏ ବା ବୁଝିବ ଏହାଙ୍କ ଅନ୍ତ,
ଧନ୍ୟ ଏ ଅନନ୍ତ ଲୀଳା ଅଦଭୁତ
କିଏ ବା ବୁଝିବ ଏହାଙ୍କ ଅନ୍ତ,
ବଇ ବ୍ରହ୍ମଚାରୀ ବୋଲେ ହରି ହରି
ତାଙ୍କ ପାଦେ ଧ୍ୟାନ ରଖି ସତତ।୫।
ଆସ ଆସ ହେ ସୁନ୍ଦର ଆଜି
ପୂଜିବି ଯତନେ ତୁମରି ଚରଣେ
ମୋ ଚିତ୍ତ କୁସୁମ ସାଜି।୦।
ତୁମପାଇଁ ମନ ମନ୍ଦିର ଦ୍ଵାର
ମୁକୁଳା ରଖିଛି ହେ ମନଚୋର,
ସଜକଞ୍ଜପଦ ଥୋଇ ମୋ ଅନ୍ତର-
କଳଙ୍କ ଦିଅ ମାଜି।୧।
ବହୁବେଳୁ ଚାହିଁ ତୁମ ସରଣୀ
ନୟନୁ ନୀର ଝରି ଶୁଖିଲାଣି
ସତେ କିହେ ପ୍ରିୟ, ଅମୀୟ, ଅଭୟ
ବଂଶୀ ଉଠିବ ବାଜି।୨।
ଉଜାଗରେ ବସିଜାଳେ ଜାଗର,
ନିରାଶ ପରାଣେ ଆଶା ସଂଚାର
ଗୋପନେ ସପନେ ଆସ ପ୍ରିୟ ମୋର
ହୃଦ ଅନ୍ଧାର ଭାଜି।୩।
ଏ ଜୀବନଯାକ ତୁମ ଭାବନା
ଭାବି ବିତିଯାଉ ବରଜସୁନା
ବଇକୁଣ୍ଠ ଘଟ ହେଉ ହେ ଚୂନା
ଚାରୁ ଚରଣ ହେଜି।୪।
ଆସ ପ୍ରେମମୟ ଭଗବାନ
କର ତବ ପ୍ରେମାଶିଷ ଦାନ।୦।
ଆଜି ଶୁଭଦିନେ, ମଧୁର ଲଗନେ,
ବିରାଜ ହେ ମୋର ହୃଦ ସିଂହାସନେ,
ଜଳାଇ ଆଲୋକ ବର୍ତ୍ତିକା ମୋ ପ୍ରାଣେ
ଭସ୍ମକର ମାନ ଅଭିମାନ।୧।
ଦିଅ ହେ ବଢ଼ାଇ ଶ୍ରୀଚରଣ ଦୁଇ,
ଦେବି ଧୋଇ ଭରା ନେତ୍ରନୀରେ ମୁହିଁ
ପୂଜା ଉପଚାର ଦିଅ ହେ ବତାଇ,
ପୂଜିବି ତେଜି ମୁଁ ସବୁକାମ।୨।
ନ ଜାଣେ ଭକତି, ନାହିଁ ତ ଶକତି
ମାଗୁନାହିଁ ପ୍ରିୟ ଅମର ମୁକତି,
କରୁଣ କାତରେ କରିବି ଆରତି,
ଜୀର୍ଣ୍ଣ ବୀଣାତାରେ ଦେଇ ତାନ।୩।
ନାଚି ମୋ ଅନ୍ତରେ ନଚାଅ ଭକ୍ତରେ,
ପୂତ ହେଉ ଧରା ସତ୍ୟ ସୁମନ୍ତ୍ରରେ
ସତତ ବୈକୁଣ୍ଠ ସୁମରି ଚିତ୍ତରେ,
ତୁଟାଇବ ଯେତେ ମନ ମ୍ଳାନ।୪।
ଆସ ବଂଶୀଧରୀ ବାମେ ରାଧାପ୍ୟାରୀ
ଗୋପପୁର ଯୋଗ୍ୟା ନାରୀ ସଙ୍ଗେ।
ଢାଳି ଶିଖୀଚୂଡ଼ା ବାନ୍ଧି ମଲ୍ଲୀବେଢ଼ା
ଆସ ନାଚି ନାଚି ନବରଙ୍ଗେ।୦।
ବାଇବଂଶୀ ସ୍ଵନ ମୋହି ମୁନିମନ
ଚାହିଁ ତେରଛ ଚାହାଣି ଢଙ୍ଗେ
ଭକ୍ତ ଭାବେ ଭୋଳ ହୋଇ ହେ ଗୋପାଳ
ନାଚ ନାଚ ଥରେ ତିନିଭଙ୍ଗେ।୧।
ବକ୍ଷବନମାଳ ଲୋଟି କରୁ ଖେଳ
କଟି କିଙ୍କିଣୀ ବାଜୁ ସରାଗେ
ପାଇ ତବାଦେଶ ପ୍ରିୟ ସଖୀବଂଶ
ଗାନ ଗାଆନ୍ତୁ ନବୀନ ରାଗେ।୨।
ଯମୁନା କୂଳରେ କଦମ୍ବ ମୂଳରେ
ନଟ ସାଜିଲ ଦ୍ଵାପର ଯୁଗେ
ଆଜି ସେହି ନାଟ ଦେଖା ନନ୍ଦ ଚାଟ
ଭକ୍ତଜନ ସ୍ନେହ ଅନୁରାଗେ।୩।
ଦେଖି ତବ ନାଟ ଚିତ୍ତ ହେଉ ହୃଷ୍ଟ
ପୁଲକ ପୂରୁ ସବୁରି ଅଙ୍ଗେ
ବଇକୁଣ୍ଠ ମନ ହୋଇଣ ଉଚ୍ଛନ୍ନ
ନ ମାତିବ ଆନ ରସସଙ୍ଗେ।୪।
ଆସରେ. କିଏ ଆସରେ.
ବାଇଆ ହୋଇବ ମୋ ସାଥିରେ ଯେବେ
ଶ୍ୟାମା, ଶ୍ୟାମ ସଂଗୀତରେ ରସରେ।୦। ଆସରେ ..
କୃଷ୍ଣନାମ ନାମରେ ସାର,
ପୁରୁଷ ସେ ସାରାବିଶ୍ଵର
ନାରୀ ରୂପେ ରାଧା ତା ପାଶରେ ସଦା
ଜୀବଭାବେ ପରା ପରକାଶରେ।୧।
ପରମ ସେ ସର୍ବଅନ୍ତେରେ
କେହି ନପାନ୍ତି ତା’ ଅନ୍ତରେ
ଭକ୍ତ ଲକ୍ଷ୍ୟ କରେ ଭକତି ସୂତ୍ରରେ
ହେବାକୁ କେବଳ ତାର ଦାସରେ।୨।
ତ୍ୟାଗକର ଭୋଗବାସନା
ପାଟ ତେଜି ପିନ୍ଧରେ କନା
କହି ତାନା. ନାନା ଗାଅ ନନ୍ଦକହ୍ନା
ଗୁଣ-ଗ୍ରାମ-ଯଶ-ପଉରୁଷରେ।୩।
ବଇକୁଣ୍ଠ ପରାୟେ ହୁଅ
ନିନ୍ଦାସ୍ତୁତି ପୋଡ଼ି ପକାଅ
ରାଧେକୃଷ୍ଣ ଜୟ ଜପି ଅହରହ
ପାପତାପ ଭୟ କର ଧ୍ଵଂସରେ
ଆସରେ... କିଏ ଆସରେ...
ଆସ ସତ୍ୟ-ସୁନ୍ଦର-ସନାତନ
ହେ ନିତ୍ୟ ନୂତନ ପତିତପାବନ
ବିଜେ କର ହୃଦ-ସିଂହାସନ।୦।
ଆସ ଜ୍ଞାନମୟ, ଆମ ପ୍ରେମମୟ
ମୋ ଅନ୍ତରେ ପଶି ଦିଅ ପରିଚୟ
କ୍ଷଣକରେ ଲୟ ହେଉ ଭବମୋହ
କର ଅନ୍ଧାରେ ଆଲୋକ ଦାନ।୧।
ଆସ ହେ ମୋହନ ଆସ ପରଂବ୍ରହ୍ଣ,
ଶାନ୍ତି ଲଭୁ ମୋର ନିରାଶ ଜୀବନ
ଆସ ରସରାଜ ହାସ୍ୟମୁଖେ ଆଜ
ବଜାଇ ବଂଶୀ ମୋହନ ତାନ।୨।
ଆସ ହେ ଶ୍ରୀବତ୍ସ ମଣ୍ଡି କେକୀପୁଚ୍ଛ
ମୋ ହୃଦକନ୍ଦରେ କାହିଁ ଲୁଚିଅଛ
ଆସ ନଟରାଜ ସାଜି ନବସାଜ
ନାଚି ନଚାଅ ତୋ ଭକ୍ତଜନ।୩।
ଆସିବ ବୋଲି ମୋତେ ଗଲ କହି
ଅନୁସରି ବସିଛି ଆଉ ଆସିଲ ନାହିଁ।(ପଦ)
ମନେ ଜାଗି ତୁମ ପ୍ରେମ ଚିତ୍ତ ହୋଇଲା ଭ୍ରମ
ତୁମ ବିନେ ଏ ଜୀବନ ରଖିବି ନାହିଁ
ଜ୍ଞାନ ଧ୍ୟାନ ସବୁ ମୋର ତୁମରି ପାଇଁ।୧।
ଦେଖାଅ ଥରେ ସେ ପାଦ କରି ନୂପୁର ନାଦ
ବାଇ ବଂଶୀସ୍ଵନ ନାଚି ଆସ ହେ ଧାଇଁ
ଶିରେ ଶିଖଣ୍ଡମୁକୁଟ ଢଳାଇଣ ଯତନେ
ଭକତ ଅନ୍ତରେ ପଶି ଗାଅ ସଂଗୋପନେ
ପ୍ରେମେ ରାଧା ରାଧା ବୋଲି ମତ୍ତ ହୋଇ
ବ୍ରଜବାସୀ ସର୍ବେ ଦେଖି ହୋଇବେ ମୋହି।୨।
ମନେ କି ପଡ଼େନା ଶ୍ୟାମ ପୂରୁବ ଭାବ,
ବଜ୍ରହୁଁ କଠିନ ହୃଦ ହେଲା କି ତବ ?
ଗୋରୁ ଗୋବତ୍ସା ଗୋପାଳେ ଶୁଣି ଗଡ଼ୁଛନ୍ତି ତଳେ
ନୀଳ ନବଘନେ ବିଦ୍ୟୁ ପରାୟେ ରହି
ଦିଅ ଦେଖା ପ୍ରାଣସଖା କ୍ଷଣକ ପାଇଁ
ଦେଖି କମନୀୟ ମୂର୍ତ୍ତି ସ୍ଥିର ହୋଇବ ଏ ଧୃତି
ଚାତକ ବୈକୁଣ୍ଠ ତୃଷା ଯିବ ମିଳାଇ
ମଜାଇବ ସେ ରୂପରେ ମନକୁ ନେଇ।୩।
ଆସି ସରିଲା ଖେଳ ବେଳ ହେଲା ଆଖର।
କରିବ ଗୋଳ ଖଳ କାଳ ଏଥର।୦।
ଆନନ୍ଦରେ ଗୋବିନ୍ଦ ଭଜ ମାନସ ମନ୍ଦ
ଦ୍ଵନ୍ଦ୍ଵ କାମନା ହୃଦୁ କର ଅନ୍ତର।୧।
ପୂର୍ବକୃତ କାରଣ ହେଜନା ଅକାରଣ
ଧର୍ମ ଦାସେ ବରଣ କର ସତ୍ଵର।୨।
ସଖା ସୋଦର ସ୍ମରି କରନା ରେ ତୁ ହୁରି
ଉଚ୍ଚରେ ହରି ହରି ମୁଖେ ଉଚ୍ଚାର।୩।
ତୋ ଆତ୍ମା ନାରାୟଣ ହୋଇଲେ ଅନ୍ତର୍ଦ୍ଧାନ
ଜଳିବ ଶମଶାନେ ତନୁ ତୋହର।୪।
ସବୁ ଭୋଗବିଳାସ ସୁଖ ସୌରଭ ଯଶ
ପୋଡ଼ି ହେବ ପାଉଁଶ ବଇକୁଣ୍ଠର।୫।
ଆହା କେଡ଼େ ଶୋଭାରେ ଥିର ନେତ୍ରରେ ଥରେ
ସହି ଅନାଗୋ ବହନ
ସାଜି ନବୀନ ସାଜ, ବରଜ ଯୁବରାଜ,
କଦମ୍ଵ ମୂଳେ ଆଜ
ବିଜେ ମନମୋହନ।
(ପଡ଼ି) ଚାହିଁ ତା ଚାରୁ ପଦ ଚିତ୍ତେ ଜାଗେ ଆନନ୍ଦ
ଦର୍ଶନେ ଦୂରେ ଯାଏ ଦୁସ୍ତର ଭବ ଦ୍ଵନ୍ଦ୍ଵ
ପ୍ରତେ ହୁଏ ପାଇବା ପରି କୋଟି ସମ୍ପଦ
ଦୂରହୁଏ ବିପଦ କାମ୍ୟ କାମନାମାନ।୦।
(୧)
ଜିଣି ଦଳିତାଞ୍ଜନ, କମନୀୟ ବରନ,
ମୋହୁଛି ଜନନୟନ,
ଭାଲ ପଟେ ଚନ୍ଦନ, ଦିଶଇ କି ଯତନ
ନୀଳ ଗଗନେ ଯେହ୍ନେ
ଉଦେ ଶରତ ଜହ୍ନ।
(ପଡ଼ି) ଶିଖିପୁଛ ଚୂଳିଆ ନବଘନ କାଳିଆ
ସେ ପୀତ ଦୁକୁଳିଆ ପ୍ରୀତି- ସୁନାଥାଳିଆ
ରଞ୍ଜଗୁଞ୍ଜମାଳିଆ ମକରକୁଣ୍ଡଳିଆ
ଗୋପପୁଅ ମେଳିଆ ଶ୍ରୀବୃନ୍ଦାବନ ଧନ
(୨)
ଠିଆ ହେବାର ଠାଣି ଠଉରାରେ ମିତଣୀ,
ଠିକଣା କରି ତୋ ଧ୍ୟାନ
ଆଉ ଏହି ମୂରତି, ନାହିଁ ନ ଥିବ କ୍ଷିତି,
ସତୀ ଛାତି କରତି
ଦେବ ଏ ରୂପ ଜାଣ।
(ପଡ଼ି) ମୁରଲୀ ଧରି କରେ ବଜାନ୍ତି ରାଧା ସ୍ଵରେ
ପଡ଼େ ଯା କାନେ ଥରେ ମନୁ ଗୁମାନ ସାରେ
ତା ପୀରତି ଆଶାରେ ନିଶି ଦିବସ ଝୁରେ
ଲାଜେ ନ କହି କାରେ କରେ ସେ ସୁମରଣ।
(୩)
ଏ ସୁନ୍ଦର ସୁଠାମ, କିଏ କଲା ନିର୍ମାଣ,
ନାହିଁ ତ ତୁଳନା ଆନ।
କେତେ କାଳେ ବିରଞ୍ଚି, ରଚିଛି ପାଞ୍ଚି ପାଞ୍ଚି,
ସଂସାର ସାର ବାଛି
ସଞ୍ଚି ଅଛିତ ପୁଣ।
(ପଡ଼ି) ଧରି ଏହିମୂରତି ଧନ୍ୟ ହେଲା ଧରତି
ଦେଖି ନବ ଯୁବତୀ ନୋହିବ କେ ଆରତି,
ବଇକୁଣ୍ଠ ବଦତି ତା ପାଦେ ଦେଲେ ମତି
କାଳକାଳକୁ ଭୀତି ନ ଥିବଟି ଗୋ ଜାଣ।
ଆହେ କୃପାସାଗର କଷଣ ଦେଖି ମୋର
ପାଷାଣ ହେଲ କି ଗୋସାଇଁ ?
ଦାରୁଣ ପଣ ତୋର ଦେଖି ହେ ଚକ୍ରଧର,
ଦଣ୍ଡେ ମୋ ଦମ୍ଭ ରହୁନାହିଁ ହେ
ଦୟାନିଧି !
ଦଣ୍ଡ କି ଦେବ ନିରବଧି
ବୋଲାଇ କରୁଣାବାରିଧି
ଧନ, ଯଶ, ପୌରୁଷ ନ ମାଗେ ପୀତବାସ
ମନ ତୋ ପାଦେ ଦିଅ ବାନ୍ଧି ହେ।୧।
ଯହିଁ ଥିବି ଗୋବିନ୍ଦ ଭାବି ପଦାରବିନ୍ଦ
ଶ୍ରୁତିରେ ଶୁଣୁଥିବି ନାମ,
ତୁମ୍ଭ ଗୁଣରୁ ଆନ ତୁଣ୍ତେ ନ ଆସୁ ପୁଣ
ରସନା ରଟୁ ଗୁରୁବ୍ରହ୍ମ ହେ
କଳାକର,
କାଳକୁ ଭୟ ନୋହୁ ମୋର
ସେ ପରା ତୁମ୍ଭ ପରିଚାର,
କରମ ଧର୍ମ ଯେତେ ସବୁ ତୁମ୍ଭ ଆୟତ୍ତେ
କରାଅ ରହି ମୋ ଅନ୍ତର ହେ।୨।
ପୁଣ୍ୟାତ୍ମା ପାପୀଙ୍କର ଭଲ ମନ୍ଦ ବିଚାର
ସବୁ ତ ତୁମ୍ଭରି ଭିଆଣ,
ଯାହାକୁ କର ଦୟା ନ ଲାଗେ ତାକୁ ମାୟା
ଛାର ମାତ୍ର ସେ କାଳଗଣ ହେ
ଭାବଗ୍ରାହୀ,
କିଛିତ ନଜାଣଇ ମୁହିଁ
ତୋହ ଶରଣେ ଅଛି ରହି
କର ଯେପରି ଇଚ୍ଛା ମୋହର ନାହିଁ ବାଞ୍ଛା
ସକଳ ସମରପି ଦେଇ ହେ।୩।
ରକ୍ଷକ ଏକା ତୁହି ଆନ କେ ଭବେ ନାହିଁ
ଡାକିବି ରଖ ରଖ ବୋଲି
ଥାଉଁ ଜଗତନାଥ ଆଉ ହେବା ଅନାଥ
ଭୟ ମନରୁ ଦୂର କଲି ହେ
ବିଶ୍ଵମ୍ଭର
ତୁମ୍ଭରି ଅଭୟ ପୟର
ଲୟ କରଇ ନିରନ୍ତର,
ନ ହେବ ନିରିଦୟ ଭାବି ମନକୁ ଥୟ
କରି ରହିଛି ଚକ୍ରଧର ହେ।୪।
ତୁମ୍ଭେ କରୁଣାସିନ୍ଧୁ ବୋଲାଇ ଭକ୍ତବନ୍ଧୁ
ଭକତ କେତେ ପାନ୍ତି ତ୍ରାହି
ତୁମ୍ଭରି ନାମ ଧରି ମଧୁର ରୂପ ସ୍ମରି,
ଏ କଥା ମିଛ ତ ନୁହଁଇ ହେ
ଚଉବାହା,
ଦୁଃଖୀ ଦୁଃଖରେ କରୁ ଆହା,
ବଢ଼ାଇ ବାହା ହେଉ ସାହା,
ତା ଜାଣି ବଇକୁଣ୍ଠ ପୋଷେ ଆଶା ଅତୁଟ
ପାଇବ ନିଶ୍ଚେ ପଦେ ରାହା ହେ।୫।
ଆହେ ଜଗନ୍ନାଥ, ତୁମ ପରି କିଏ ଅ ଛିଦୟାହନ୍ତ।୦।
ଜଗତରେ ଯେତେ ପାପକାଳି
ଶରଧାରେ ନିଜ ମୁହେଁ ବୋଳି
ପାପୀତାପୀ ଜନେ କୋଳେଇ ନେଉଛ,
ପତିତପାବନ ବିଶ୍ଵନାଥ।(୧)
ବିଷୟାବିଷକୁ କରି ପାନ
ଅମୃତ କରୁଛ ବିତରଣ
ଭଜନେ ମନନେ ସ୍ମରଣେ ଦର୍ଶନେ
ଅନ୍ଧକାର ହୁଏ ଦୂରୀଭୂତ।(୨)
ଅପଲକ ତୁମ ଚକାଆଖି
ସମଗ୍ର ସୃଷ୍ଟିକି ପାର ଦେଖି
ତୁମେ ଲୀଳାମୟ, ସତ୍ୟ ଶିବମୟ,
ଅନାସକ୍ତ ଚିର ଅଦଭୂତ।(୩)
କଳାଠାକୁର ହେ ନିର୍ବିକାର
କଳାକାର ବିଶ୍ଵେ ବଳିଆର
କି ବୁଝିବି ତୁମ ମହିମା ଅପାର,
ବଇକୁଣ୍ଠ ଯା’ର କୃପାପାତ୍ର।(୪)
ଆହେ ବିଶ୍ଵରାଜ,
ଜୀବ ଯିବାକୁ ମୋର ହେଉଛି ସଜ
ଦିଅ ପଦରଜ ପ୍ରଭୁ ବଳାନୁଜ
ବେଳ ସରେ ଘେରି ଆସେ ସଞ୍ଜ,।୦। ଆହେ ବିଶ୍ଵରାଜ...
ଆଗହୁଁ ଜଣାଇ ଅଛି ମୁହିଁ
ମୋ କଥା ଅଜଣା କିଛି ନାହିଁ
କର କର ତ୍ରାହି ଅକାରଣ ସ୍ନେହୀ
ମୁଁ ଅତି ପତିତ ଚିତ୍ତେ ହେଜ।୧। ଆହେ ବିଶ୍ଵରାଜ...
ମନ ଆଉ ଲାଗୁନାହିଁ କାହିଁ
ବସିଛି ତ ଯିବାପଥ ଚାହିଁ
ଯାଅ ମୋତେ ନେଇ ତବ ଇଚ୍ଛା ଯହିଁ
ଅବିଳମ୍ବେ ରଫା ଦଫା ବୁଝ।୨। ଆହେ ବିଶ୍ଵରାଜ...
ନ ଜାଣେ ତ ଧର୍ମାଧର୍ମ ସୀମା
ସେ ପାଇଁ ମାଗିଛି ପାଦେ କ୍ଷମା
ଶୁଣିଛି ମହିମା ଗୁଣେ ତ ମଣିମା
ଅଧମ ଠାରେ ରଚନା ବ୍ୟାଜ।୩। ଆହେ ବିଶ୍ଵରାଜ..
ଯତନେ ଜୀବକୁ ଧରି ସଂଗେ
ଶରୀରୁ ବାହାରି ଯାଅ ରଙ୍ଗେ
ସସ୍ନେହେ ସରାଗେ ବଇକୁଣ୍ଠ ଆଗେ
ଦରଶାଇ ଦିଅ ନିଜ ତେଜ।୪। ଆହେ ବିଶ୍ଵରାଜ...
ଆହେ ଭାବଗ୍ରାହି ! ଅଭିମାନେ ମୁହିଁ
ଦେଇଥିଲି ପଦେ କହି,
ତୋ ଗୁଣକଥନ ତୋ ନାମଗାୟନ
ଆଉ ନ କରିବା ପାଇଁ, ଭାବଗ୍ରାହୀ ହେ।୦।
ହୋଇ ହୀନିମାନ ମନେ ବହି ମାନ
ଭରମେ ନବୁଝି କିଛି,
ଗେହ୍ଲା ପୁଅପରି ଗେଲେ ଗେଲେ ହରି
ଛଳନାରେ ସୂଚାଇଛି, କ୍ଷମାନିଧି ହେ।୧।
ଯେହ୍ନେ ପିତା ପାଶେ ପୁତ୍ର ରୁଷି ବସେ
ଶେଷେ ପାଇବାକୁ ବହୁ ସ୍ନେହ,
ମୁହିଁ ସେହିପରି ମନେ ପାଞ୍ଚି କରି
କହିଛି ହେ ତାତ, କ୍ଷମା ଦିଅ।୨।
ଏବେ ମୁଁ ବୁଝୁଛି ମନରେ ହେଜୁଛି
ଅଭିମାନ ମୋ ହଟିଛି ଦୂରେ,
ତେଜି ତୁମ୍ଭ ନାମ ମରତେ କେ ଜନ
ରହିପାରିବ କି ସଶରୀରେ ?।୩।
ତୁମରି ଦୟାରେ ଏ ମୋହ ମାୟାରେ
ମଜିଥାନ୍ତି ବିଶ୍ଵେ ସର୍ବପ୍ରାଣୀ,
ସବୁରି ଅନ୍ତରେ ଦେବତା ରୂପରେ
ବିରାଜ କର, ନ ପାରେ ଜାଣି।୪।
ଯାହା ଏ ସୃଷ୍ଟିରେ ପଡ଼େ ମୋ ଦୃଷ୍ଟିରେ
ସବୁଥିରେ ତୁମେ ଅଛ ପୂରି
ତୁମରି ଗୁଣତ ତୁମେ ଗାଉଅଛ
ମିଛେ କରେ ମୂଢ଼ ବାହାଦୁରି।୫।
ହେ କରୁଣାକର ଏତିକି ଏଥର
ଘେନିବ ଗରିବ ଆପତ୍ତିକି।
ଯିବାବେଳେ ଜୀବ ଆହେ ରମାମାଧବ
ଭୁଲାଇବ ନାହିଁ ମୋ ମତିକି।୬।
ନଟବର ବେଶ ସାଜି ମୋ ମାନସ-
ପଟେ ଆସି ଦଣ୍ଡେ ଉଭା ହେବ।
ସେ ମୂରତି ଧ୍ୟାୟି କହି କୃଷ୍ଣ ତ୍ରାହି
ଭବୁ ବଇକୁଣ୍ଠ ତରିଯିବ।୭।
ଉଜାଣି ଘାଟେ କିଏ ଅଛ
ନାଉରୀରେ ନିଅ ଉଦ୍ଧରି।
ଗଡ଼ି ଯାଉଛି ବେଳା ଦଣ୍ଡେ ନ କର ହେଳା
ଚାହାଁ ଢାଳି ତୋ ଡୋଳା ସୁଦୟା କରି ରେ।ପଦ।
।୧।
ସାରି ସଉଦା ହେଉଛି ବିଦା
ନ ଦେଇ ବାଧା କୂଳେ ଲଗାଅ ତରୀରେ।
।୨।
ହେଲେ ନିଶୀଥ ହୁଡ଼ି ସୁପଥ
ହେବ ଅନାଥ ଏହି ଦୀନ ଭିକରୀରେ।
।୩।
ଥାଉଁ ଭଜାଲା ତରଣୀ ଚଲା
ଯାଇ ପଲାରେ ପହଞ୍ଚିବି ମୋହରି ରେ।
କେତେ ନେଇ ସେପାରି ନାମ କରିଛୁ ଜାରି-
ଶୁଣ ଆଶ୍ରିତ ବୈକୁଣ୍ଠର ଗୁହାରି ରେ।
ଉଠ ଶ୍ୟାମଘନ, ମୋ ହୃଦରତନ,
ମଦନମୋହନ ଉଠରେ
ନିଶି ପାହିଲାଣି, ଆରେ ନୀଳମଣି,
ରାବ ଦେଲେଣି କୁକ୍କୁଟରେ।୦।
ଭାଇ ବଳରାମ ସୁବଳ ସୁଦାମ,
ଆସିଲେଣି ତୋ ନିକଟରେ
ଭୁଞ୍ଜ ସରପୁଳି, ଆରେ ବନମାଳୀ,
ଉଠି ମୁଖ ଧୁଅ ଝଟରେ।୧।
ଡାକୁଛନ୍ତି ବାବୁ,ଗୋପ ପୋଏସବୁ
ଯିବୁ ତାଙ୍କ ସଙ୍ଗେ ଗୋଷ୍ଠରେ
ଧେନୁବତ୍ସା ମିଳି, ଦେଲେଣି ବୋବାଳି,
ଅନାଇ ତୋଯିବା ବାଟରେ।୨।
ଯାଅ ବୃନ୍ଦାବନ ମୋ ଜୀବ ଜୀବନ
ବେଣୁ ବାଇ କର ନାଟରେ
କହେ ବଇକୁଣ୍ଠ-ଗଣ୍ଠିଧନ କୃଷ୍ଣ
ଆଉ ନ କର ଅଝଟ ରେ।୩।
ଏଇ ଦେଶେ ତାର ଘର ଲୋ ସଜନୀ
ଏଇ ଦେଶେ ତାର ଘର
ନିତି ପ୍ରତି ସଞ୍ଜେ ବଇଁଶୀ ବଜାଇ
କୁଞ୍ଜେ କରେ ହରବର।୦।
ସାଜି ନୂଆ ନୂଆ ବେଶ, ସଜନୀ ସେ
ନବବଧୂ କରେବଶ
ତିନି ଭାଙ୍ଗେ ଚାଲି, ତେରଛାଇ ଠାରି,
ବୁଲଇ ବ୍ରଜବଜାର ଗୋ।୧।
କୁଳ ଭୁଆସୁଣୀ ରାଧା, ସଜନୀ ଗୋ
ତା ପାଇଁ ସହୁଛି ବାଧା
ଗୋପଦାଣ୍ଡେ ବାଟ ବସାଇ ତା ନାମେ
ସାରିଲା ମହତ ତାର ଗୋ।୨।
ଯମୁନା ଯିବାର ବେଳେ ସଜନୀରେ
ଘାଟ ମାଗେ ବଳେ ବଳେ
ନ ଦେଲେ ଅଝଟ, ହୋଇ କରେ ନାଟ
ଲଗାଏ କେତେ ହିନ୍ଦର ଗୋ।୩।
ଦେଖି ତା ତରଳ ଆଖି ଗୋ ମିତଣୀ
କା ଚିତ୍ତ ନ ଯିବ ଲାଖି
କହେ ବଇକୁଣ୍ଠ ନ କରିଣ ଇଷ୍ଟ
କା’ ମନ ହୋଇବ ସ୍ଥିର ଗୋ।୪।
ଏକମାତ୍ର ଲୀଳାମୟ,
ତୁମେ ହିଁ ଭୁବନମୟ,
ଦୟାମୟ କୃପାମୟ,
ପରମ ମଙ୍ଗଳମୟ।୦।
ଅକଳିତ ଅଭିନୟ,
କର ହେ ଆନନ୍ଦମୟ,
ରଖିବି ତୁମ ଠିଁ ଲୟ
ଏତିକି ହୁଅ ସଦୟ।୧।
ଦେହ କର ନିରାମୟ,
ମନ ହେଉ ଦିବ୍ୟମୟ,
ପ୍ରାଣ ହେଉ ଜ୍ୟୋତିର୍ମୟ,
ନିଃସଂଶୟ ହେ ଚିନ୍ମୟ।୨।
ମୁଖେ ଗାଇ ତୁମ ଜୟ,
ଅରଜେ ସୁଗୁଣଚୟ,
କିଛି ମୋ ଆୟତ୍ତ ନୁହଁ,
ସବୁ ତ ତୁମର ରାୟ।୩।
ତୁମ କୃପା ବରାଭୟ,
ଏକ ମାତ୍ର ମୋ ପାଥେୟ,
ଅଥୟ ପରାଣ ଥୟ-
କର ହେ ପରାଣପ୍ରିୟ।୪।
ତୁମେ ମୋ ପରମପ୍ରିୟ,
ଶ୍ରେୟଃ-ଧ୍ୟେୟ ହେ ଆତ୍ମୀୟ,
ବଇକୁଣ୍ଠ ତେଜି ଭୟ
ଗାଇ ଚାଲେ ତୁମ ଜୟ।୫।
ଏଡ଼ିକି ନିଷ୍ଠୁର ହରି ଏଡ଼ିକି ନିଷ୍ଠୁର !
ଯେ ଯାହାକୁ ଭାବେ ମନେ କରୁ ତୁ ଅନ୍ତର
କପଟିଆ ଠାକୁର,
ସାରା ଦୁନିଆଟା ତୋର ଖେଳଘର।୦।
ମାୟା ବନ୍ଧନରେ ବାୟା କରି ଦେଉଅଛୁ
ଚଖାଇ ସ୍ନେହ ମମତା ଅନ୍ତର କରୁଛୁ
ଏ କି ଭଲ ବିଚାର,
ନିନ୍ଦା ରଟନାକୁ ତୋର ନାହିଁ ଡର।୧।
ଜାୟା, ସୁତ ମାୟା ଫାନ୍ଦେ ଦେଇଛୁ ପକାଇ
ଛିଣ୍ଡାଇଣ ସେ ବନ୍ଧନ ନ ପାରନ୍ତି କେହି
ଏ କି ତୋ ମନ୍ଦ ରୀତି
ବନ୍ଧନେ ପକାଇ କିପାଁ ଦେଉ ଶାସ୍ତି ?।୨।
ଜାୟା ସୁତ ଭ୍ରାତାବନ୍ଧୁ କେ ନୁହେଁ କାହାର-
ଜାଣି ସ୍ଥିର କରିଛି ମୋ ହୃଦ ବାରବାର,
ବଇକୁଣ୍ଠ ଚିନ୍ତନ,
ମୋର ଭାଗ୍ୟରେ ନ ଜୁଟୁ ସେ ବନ୍ଧନ।୩।
ଏ ଦୁନିଆଁ ମହା ଦୁସ୍ତର,
ଯେଣିକି ଚାହିଁବ ତେଣେ ଅନ୍ଧାର,
ଖସଡ଼ା ବାଟରେ ଖସିଗଲେ ଥରେ
ଆଣ୍ଠୁଗଣ୍ଠି ଭାଙ୍ଗି ହେବ କାତର।।ପଦ।।
କିଏ କେତେ ଭାବେ, ଆସିଣ ଏ ଭବେ
ଭେଳିକି ଦେଖାନ୍ତି କେତେ ପ୍ରକାର
ନ ବୁଝିଣ କେହି ଭୁଲିଗଲେ ତହିଁ
ଭାବନାଟି ଶେଷେ ହୁଅଇ ସାର।୧।
ଦୁଇ ଦିନ ପାଇଁ ଆସି ଆରେ ଭାଇ
ମଝିରେ କାହିଁକି ଏତେ ଚାତର ?
କି ଲାଭ ତହିଁରେ କହନି ତୁହିରେ
ମନେ କରି ତୋ’ର ସତ ବିଚାର।୨।
ଯଶ ଅଇଶ୍ଵର୍ଯ୍ୟ ଗର୍ବ ଦମ୍ଭ ଧୈର୍ଯ୍ୟ
ଦିନେ ହେଲେ ସବୁ ହୋଇବ ଚୂର
ଏକାନ୍ତ ଭକତି- ମାର୍ଗେ ରଖି ମତି
ସତେ କି ବୈକୁଣ୍ଠ ହୋଇବ ପାର ?।୩।
ଏ ପରାଣ ହସାଉଛ କ୍ଷଣେ ତୁମ୍ଭେ କାହିଁପାଇଁ
କ୍ଷଣେ ତୁମ୍ଭେ କାହିଁପାଇଁ।
ଯେବେ ହସାଇଲ ମୋତେ ପୁଣି ତା’ ପର ମୁହୂର୍ତ୍ତେ
କନ୍ଦାଅ କି ପାଞ୍ଚି ଚିତ୍ତେ କୁହ ଗୁମର ଫିଟାଇ,
କୁହ ଗୁମର ଫିଟାଇ।। ପଦ।।
ବେଳେ ବେଳେ ମାନସକୁ ଉଚ୍ଚ ଚିନ୍ତା ଦର୍ଶାଅ
କେତେବେଳେ କି ବିଚାରି ନରକକୁ ଖସାଅ
କେବେ ବା ଦିଅ ସାନ୍ତ୍ଵନା କେବେ କଠୋର ଯନ୍ତ୍ରଣା
ଦେଇ କର କଲବଲ କିଆଁ ଦିଅ ବୁଝାଇ
କିଆଁ ଦିଅ ବୁଝାଇ।୧।
କେଉଁ ଦିନ ଶାଳି ଅନ୍ନ ଭୁଞ୍ଜେ ଭରା ଉଦର,
ଆର ଦିନ ଦେଖାନାହିଁ କଣିକାଏ ଖୁଦର
କାହିଁ ରାଜ ସିଂହାସନ କାହିଁ ଧୂଳିରେ ଶୟନ
ଅସାର ସଂସାରେ ସାର କେଉଁଟି ତ ନୁହଇ,
କେଉଁଟି ତ ନୁହଇ।୨।
କେଉଁ କଥା ସାର ତବ ବାଛି ବାରେ କୁହ ତ
ନ କହିଲେ ଏ ଜୀବନ ତୁମ୍ଭେ ହାତେ ନିଅ ତ
ଧରି ଅସାର ଶରୀର ହେବାକୁ ଏ ହରବର
ମାନୁନାହିଁ ବଇକୁଣ୍ଠ ମନ ଜଗତ ସାଇଁ
ମନ ଜଗତ ସାଇଁ।୩।
ଏ ଭବରଙ୍ଗବଜାରେ ସଞ୍ଜ ହୋଇଲା ଲୋ
ମିତ ସଞ୍ଜ ହୋଇଲା।
ଚାହିଁ ଚାହିଁ ଶ୍ୟାମଘନ ଭେଟ ନୋହିଲା
ମୋ ଧନ କାହିଁ ରହିଲା।୦।
ଜୀବନ-ପ୍ରଦୀପ ଜାଳି ସରଣୀ ଅନାଇ ଥିଲି
ନଇଲେ କା’ ପ୍ରେମେ ଭୁଲି
କଣ୍ଟ ଗଡ଼ିଲା, କି ବନ୍ଧୁ ବାଟ ହୁଡ଼ିଲା।୧।
ଗୋଳି ମୁଁ ଚୂଆ ଚନ୍ଦନେ ସଜାଡ଼ିଥିଲି ଯତନେ
ଦେବାକୁ ମନମୋହନେ
ଯୋଗ ନୋହିଲା, ମୋର କି ଦୁର୍ଯୋଗ ହେଲା।୨।
ଗୁନ୍ଥି ଥିଲି ତ ନିଆଳୀ ତାଙ୍କ ଗଳେ ଦେବି ବୋଲି
ସେବାରୁ ବଞ୍ଚିତ ହେଲି,
ବିହି ଯା କଲା, ମୋ ଭାଲେ ଏହା କି ଥିଲା।୩।
ପାଞ୍ଚିଥିଲି କେତେ ମନେ କହିବି ବନ୍ଧୁ ଦର୍ଶନେ
ମନକଥା ମନେ ମନେ
ସବୁ ମରିଲା, କରମେ ଭରମ ହେଲା।୪।
ନୀରଭରା ଦୁଇ ଆଖି ରଖି ମୁଁ ରହିଲି ସଖୀ,
କହେ ବଇକୁଣ୍ଠ ସାକ୍ଷୀ
କେହି ନଥିଲା, ଏରାତି ଦୁଃଖେ ପାହିଲା।୫।
ଏ ସଂସାର ମାୟା ବଜାର
ବିଚିତ୍ର ବଣିକ ବଡ଼ ଚତୁର।୦।
ନାନା ପରକାର,
ବାହାର ଭିତର
ରଙ୍ଗେ ସଜାଇଛି ଦୋକାନ ଘର।
ଧନ୍ୟ ସେ ଦୋକାନୀ,
ମନ ନିଏ କିଣି,
କିଏ ବା ଗରାଖ ନୋହିବ ତାର।୧।
ଭଲ ସାଥେ ଭେଲ,
କରି ଅଛି ଠୂଳ,
ନିଅନ୍ତି କିଣି ଯା ଇଚ୍ଛା ଯାହାର।
ପଡ଼ିଲେ ପୋକରା,
ପଚରା ଖତରା,
ଫେରାଫେରି ନାହିଁ ତା କାରବାର।୨।
ଜାଣିଣ କାଇଦା,
ଯେ କରେ ସଉଦା,
ଫାଇଦା ଉଠାଏ ନିଜ ହାତର।
ନୋହେ କେବେ ହାନୀ,
ହୁଏ ମହାଧନୀ,
ଜଗତେ ବୋଲାଏ ଧରମବୀର।।୩।
ଏ ସୁଖ ସଂସାର ଦିନେ ତ ଅସାର
ହେବ ମନ ଜାଣି ଥାଆରେ
ତୋ ଛଳ ଚାତୁରି ସବୁ ବାହାଦୁରୀ
ପଣ୍ଡ ହେବ ଶୁଣ ବାୟାରେ।୦।
ଅକସ୍ମାତେ ତୋର ହୃଦୟ ମନ୍ଦିର,
ଘଡ଼ିକେ ଘୋଟିବ ଘନ ଅନ୍ଧକାର,
କଫ-ବାତ-ପିତ ରୁନ୍ଧିଦେବେ ଦ୍ୱାର,
କାନ ହେବ ଭାଆଁ ଭାଆଁରେ।୧।
ଯେ ଯେତେ ବୋଇଲେ ନଶୁଣିବୁ ବୋଲ,
ଚାହିଁଥିବୁ ତୁଚ୍ଛାଟାରେ ବଲବଲ,
ଘେରି ବସିଥିବେ ଭାଇ ବନ୍ଧୁ ପଲ,
କାନ୍ଦୁଥିବେ ଜାୟା ମାଆରେ।।୨।
ଯହୁଁ ଶେଷ ଶ୍ଵାସ ଯିବରେ ବାହାରି,
ଘରେ ନ ରଖିବେ ଆଉ ଦଣ୍ଡଚାରି,
ସାତପାଞ୍ଚ ମିଳି ଶମଶାନେ ଜାଳି-
ଦେବେ ତେଜି ମୋହ ମାୟାରେ।୩।
ସରିଯିବ ଜାଣ ଏ ଜୀବନ ଖେଳ,
ଆଶାର ବିପଣୀ ବିଳାସ କୌଶଳ,
ଯେବେ ଏଥୁ ପାର ହେବୁରେ ପାଗଳ,
ଗଢ଼ି ରଖ ନାମ-ନାଆରେ।୪।
ପ୍ରଣତି ଜଣାଇ କହେ ବଇକୁଣ୍ଠ,
ମୋ ପ୍ରାଣାନ୍ତେ ପ୍ରଭୁ ନ ଦେବ ଏ କଷ୍ଟ
ଯେବେ ଦେବ ତେବେ ହେ ମୋ ଇଷ୍ଟକୃଷ୍ଣ
ସାହାହେବ କହି ଆହାରେ।୫।
କନ୍ଦରାଅଇରି ବାରେ ଶୁଣ ଗୁହାରି
ବିକଳେ ଜଣାଏ ତବ ପାଦେ ଜୁହାରି।
ମୁଁ ଅତି ଦୀନହୀନ ହେ ରେବତୀରମଣ
ନ କଲେ ପରିତ୍ରାଣ ସରି ଯିବିଟି ଜାଣ
ପରାଣପକ୍ଷୀ ପିଣ୍ଡରୁ ଯିବ ବାହାରି।୧।
ବିଷୟାବିଷ ମୋହରେ ହୋଇଣ ଘାରି
ରକ୍ଷାକର ହଳାୟୁଧ କରୁଛି ହୁରି,
ଦିଅ ଚରଣାମୃତ ଶାନ୍ତ ହେଉ ଏ ଚିତ୍ତ
ରାମନାମେ ସତତ ଯେହ୍ନେ ହୁଏ ଆସକ୍ତ
ରଖ ପାଶରେ ଦାସକୁ କରି ଭିକାରୀ।୨।
କେନ୍ଦରାପଡ଼ାରେ ବିଜେ କନ୍ଦରା ମାରି
ଭକ୍ତମାନେ ଗାଉଛନ୍ତି, ଗୁଣ ତୁମରି
ଦେଖିନାହିଁ ନୟନେ ଶୁଣିଅଛି ଶ୍ରବଣେ
ମହାବୀର ଆଶ୍ରମେ ଥାଇ ଭାବଇ ମନେ
ବଇକୁଣ୍ଠକୁ ଭବରୁ କରିବ ପାରି।୩।
କପଟିଆ କାହ୍ନୁ ହଟକେ ବୁଝିବ ତୋର
କରିଅଛୁ ପ୍ରେମଧନ ବିତରଣ ଯାହାର ଯା ଲୋଡ଼ା
ସେ ତା କରେ କାରବାର।୦।
ଧରି ବିକଳାଙ୍ଗ ମୂର୍ତ୍ତି କହୁ ସର୍ବଜନେ ଡାକି
ନ ଥାଇ ମୋ ହାତ ଗୋଡ଼ ଥାଏ ମୁହିଁ କର୍ମେ ମାତି
ଘେନି ଏହି ଦୀକ୍ଷା କରକର୍ମ ଶିକ୍ଷା
ଯଶ ଅଇଶ୍ଵର୍ଯ୍ୟ ନକରି ଅପେକ୍ଷା
ଶୁଭ କର୍ମ ଯାର ପାଉ, ଚଞ୍ଚଳେ ତା ପାଶେଧାଉଁ
ଅକୁଣ୍ଠିତେ ଦେଉ ତାକୁ ବଇକୁଣ୍ଠପୁର।୧।
ତେଣୁ ସର୍ବ ନରେ ଆସି କର୍ମକ୍ଷେତ୍ରେ
ଲାଗିଥାନ୍ତି ସଦା କର୍ମେ ଅସ୍ତ ବ୍ୟସ୍ତେ
କି ଦେଉ କାହାକୁ, ତୋ ଭଣ୍ଡାରୁ ତାକୁ
ସାହା ଯେ କରିଲା ତୋ ଚାରି ବାହାକୁ
ସେ ତାର ମଜୁରୀ ନେଲା ତୋ ମହତ୍ତ ଜଣାଗଲା
ମିଛ ପରଶଂସା ମାରିନେବା ହେଲା ସାର।୨।
ଠକା ଠକି ଯେତେ କଲୁଣି ଠାକୁର
ସାବଧାନ ହୁଅ ଖାଇବୁ ଠୁକର
ମାତିଲେ ଭକତେ, ରଖିବେ କି ତୋତେ,
ପ୍ରେମଭକ୍ତିକଡ଼ି ଭିଡ଼ି ଦେଇ ହାତେ
ଠୁଙ୍କି ଦେବେ ଯେବେ ନେଇ ଅନ୍ତର କାରାଗାରେ ଥୋଇ
ସେ ବେଳେ ଦେଖାଇବାକୁ ପାଞ୍ଚିବ କି ଫିକର।୩।
କମନୀୟ କଳାକହ୍ନାଇ
କାମନାକଳପତରୁ ଗୋସାଇଁ
କାଳକଯାକ ମୋ କଳଙ୍କ ନ ଗଲା
କାଳରାହୁ ବେଳିବେଳ ଗ୍ରାସଇ।୦।
କଷଣେ ଜନମ ବିତିବାକୁ ହେଲା
ସପନରେ ସୁଖ ଦେଖିଲି ନାହିଁ।
କିବା ଅପରାଧ କଲି ମୁହିଁ ମନ୍ଦ
ଛନ୍ଦ କରି ଦ୍ଵନ୍ଦେ ଦେଲ ପକାଇ।୧।
କନକାଙ୍ଗୀ ଧନୀ ରାଈ ବିନୋଦିନୀ
ପାଦରେ ମୁଁ କେତେ ଥିଲି ଜଣାଇ
କହି କାନ୍ତ ପାଶେ ଏ ଅଧମ ଦାସେ
ସେବା କୁଞ୍ଜେ ଦେବା ପାଇଁ ଖଞ୍ଜାଇ।୨।
କାତର ହୋଇ ମୁଁ ଆତୁରେ ଡାକୁଛି
ସତତ ଅନ୍ତରେ ମନ୍ତର ଧ୍ୟାୟି
କୃଷ୍ଣ କୃଷ୍ଣ ଭଜି ଦେହ ଯାଉହଜି
ଆଉ ଆନ କିଛି ମୋ ଲୋଡ଼ା ନାହିଁ।୩।
କାରଣକରତା ତୁମ୍ଭେ ପିତାମାତା
ଦୃଷ୍ଟି ଦେଲେ କଷ୍ଟ ରହିବ ନାହିଁ
କରିଣ କରୁଣା କର ବୁଝାମଣା
ବଣା ନୋହୁ ବଇକୁଣ୍ଠିଆ କାହିଁ।୪।
କର ପ୍ରସାରି ମାଗୁଛି ଦିଅ କୃପାବିନ୍ଦୁ...କୃପାସିନ୍ଧୁ ହେ (ପଦ)
ଶ୍ରୀମୁଖରେ କହିଛ ତ ସତ ତୁମ୍ଭ ତୁହୁଁ ଅଧିକ ଭକତ
କ୍ରୋଧଭରେ ବିପ୍ର କଲା ପଦାଘାତ
(ତାକୁ) ପାସୋରି ନାହଁ ତ ହୃଦୁ ଭକ୍ତବନ୍ଧୁ।୦।
କୃଷ୍ଣ କୃଷ୍ଣ ହେଜି ଦ୍ୱିଜନାରୀ ପିଣ୍ଡୁପ୍ରାଣ ଯାଆନ୍ତେ ବାହାରି
କେଉଁ ସେବା କରିଥିଲା ଗିରିଧାରୀ
(ତାକୁ) ନିସ୍ତାରିଲ ଦେଇ ପାଦପଦ୍ମ ମଧୁ।୧।
ଅହର୍ନିଶ ତୁମ୍ଭ ନାମମାଳା ଗଳେଲମ୍ଭାଇଲି ନନ୍ଦବଳା
ସୁଦୁଷ୍ଟିରେ ହେଳା କଲେ ପଦ୍ମଡୋଳା
ସରିଯିବି ମୋ କର୍ମକୁ ନିନ୍ଦୁ ନିନ୍ଦୁ।୨।
ପୂର୍ଣ୍ଣବ୍ରହ୍ମ ରସାନନ୍ଦ ହୋଇ ରାସେ ଗୋପୀ ମନ ନେଲ ମୋହି
ଦୀନଜନ ପାଇଁ ଗଲେ ସେ ଉଭାଇ
ସାର୍ଥକ ହେବ କି ନାମ ଦୀନବନ୍ଧୁ।୩।
ଅନ୍ୟଦିଗେ ନଯାଉ ମୋ ମତି ଦାସୀପଣେ ଦିଅ ଅନୁମତି
ନିର୍ଦୟ ହେଲେ ଶ୍ରୀମତୀ ହେ ଶ୍ରୀପତି
ଦିନ ଯିବ ବିତି ନିତି କାନ୍ଦୁ କାନ୍ଦୁ।୪।
ପାପ ନେତ୍ର ଆଗେ ସଦା ମୋର ଦିଶୁ ତବ ନୀଳ କଳେବର
ହୀନ ବୈକୁଣ୍ଠର ହେଉ ଘଟାନ୍ତର
(ତବ) ସୁଷମ ଛନ୍ଦାଚରଣେ ବନ୍ଦୁ ବନ୍ଦୁ।୫।
କର୍ମହୀନ ଜନ ଜଣେ କରୁଣ ସ୍ଵରେ
କମଳାକାନ୍ତଙ୍କୁ କହେ ଅତି କାତରେ
ସରଯାଉଛି ସଂସାର ସୁଆଗେ ପଡ଼ି
ଗତି ନ କଲେ ଗରିବ ମରିବ ବୁଡ଼ି
କରିଣା ବୃକ୍ଷ ବୋଲି ଶ୍ରୁତିରେ ଶୁଣିଥିଲି
ମହାପ୍ରଭୁ ହେ... ମହାପ୍ରଭୁ ହେ।
ଫଳାଅ କରୁଣା ଫଳ ମୋ ପାଇଁ ଥରେ
ରସ ଆସ୍ଵାଦନେ କ୍ଳାନ୍ତି ହଟିବ ଦୂରେ।୧।
ଯେତେ ପାତକୀ ଅଛନ୍ତି ଏ ଧରାଧାମେ
କୋଟି କୋଟିକରେ ଶ୍ରେଷ୍ଠ ଅଟେ ମୁଁ ଜଣେ
ନିସ୍ତାରିବ କି ନା ସତ କୁହନି ମୋତେ
ପତିତପାବନ ନାମ ଯିବି ପରତେ
ଯେବେ ଅଛି ସେ ପଣ ଛାଡ଼ି କୃପଣପଣ
ମହାପ୍ରଭୁହେ.. ମହାପ୍ରଭୁହେ
ଢାଳି ଦିଅ ଢାଳେ କୃପା ସଲିଳ ଶିରେ
ସେବକେ ସାବ୍ୟସ୍ତ କର ପଦତୀର୍ଥରେ।୨।
ଅବହେଳା କଲେ ହେବନାହିଁ ତ ଭଲ,
ଦଣ୍ଡକେ ଦାଣ୍ଡେ ବାଜିବ ଦୁର୍ନାମ ଢୋଲ
କାମନାକଳପତରୁ କାହିଁକି ଆଉ
କଷଣେ କଷୁଛ ଏବେ ସେତିକି ଥାଉ।
ସ୍ଵର୍ଗ ବା ନର୍କ କୁଣ୍ଡେ ପକାଇ ଦିଅ ଚାଣ୍ଡେ
ମହାପ୍ରଭୁ ହେ...ମହାପ୍ରଭୁ ହେ।
ସାର ବେଗେ ଏ ବ୍ୟାପାର ମନ ଇଚ୍ଛାରେ
ସରିଯାଉ ବଇକୁଣ୍ଠ ମନବାଞ୍ଛାରେ।୩।
କରୁଣ କାତର-ସ୍ଵର ଯେଉଁଦିନ
ବିଦାରି ହୁଦ କନ୍ଦର-
ଉଠିବ, ଧଇର୍ଯ୍ୟ ଧରିବ କିପରି
ଦେଖିବି ଶ୍ୟାମ ସୁନ୍ଦର।୧।
ଯାଜ୍ଞସେନୀ ଦୁଃଖ ଜାଣି ପଦ୍ମମୁଖ
ପ୍ରଥମେ ଶୁଣିଲ ନାହିଁ
ନାମ ନିନ୍ଦା ହେବ ହେଜି ଯଥାକାଳେ
ଅସମ୍ଭାଳେ ଗଲ ଧାଇଁ।୨।
ଜ୍ଞାନର ଅବୋଧ୍ୟ ଧ୍ୟାନର ଅସାଧ୍ୟ
ହୋଇପାର ସିନା ପ୍ରଭୁ
ସେ ଅପାପବିଦ୍ଧ ପଦେ ଐକାନ୍ତିକୀ
ଭକ୍ତିବଳେ ମିଳେ ସବୁ।୩।
ପାଷାଣରୁ ବଳି କଠିନ ହୃଦୟ
କରି ବସିଅଛ ଆଣ୍ଟେ
କାତର ଲହଡ଼ି ପ୍ରଚଣ୍ଡ ଆଘାତେ
ଭାଙ୍ଗିବ ଅତି ନିକଟେ।୪।
ନିଷ୍କାମ ସ୍ନେହରେ ବାନ୍ଧିଲେ ବ୍ରଜରେ
ବ୍ରଜବାଳୀ ଯେଉଁ ଫାଶେ
ସେହି ଫାଶ ଧରି ଗୋଡ଼ାଇଛି ଦିନେ
ମନକୁ ଅସିବ ପାଶେ।୫।
ବିନୀତ ବୈକୁଣ୍ଠ ପଦେ ପଚାରିବ
ଘଞ୍ଚ ପଞ୍ଚ କାହିଁ ପାଇଁ
କେତେଦିନ ଆଉ ଭଣ୍ଡିବ ଏପରି
ଭକତକୁ ଭାବଗ୍ରାହୀ।୬।
କରୁଣା ଊଣା ଯେବେ କରିବ ହେ
ନ ପାଇଣ କାରଣ କରମହୀନ ଜନ
ନିଶ୍ଚୟ ମରଣକୁ ବରିବ ହେ।୦।
ତୁମ୍ଭ ତହୁଁ କେ ଆନେ ଅଛି ଏ ଧରାଧାମେ
ପାପ ପଙ୍କୁ ପତିତେ ତାରିବ ହେ।
ଆଉ କା ଗୁଣ ଗାଇ ଗରିବ ମାଗି ତ୍ରାହି
ଘୋର ଘନ ବିପତ୍ତି ସାରିବ ହେ।୧।
ଆଉ କେ କୃପାନିଧି ଚକ୍ରେ ପତାକା ବାନ୍ଧି
ଆସବୋଲି ପାପୀଙ୍କୁ ଠାରିବ ହେ,
ସୁଦର୍ଶନ ପଠାଇ ଦୁଃଖ ଦେବ ହଟାଇ
ଗଜ ରଖି କୁମ୍ଭୀର ମାରିବ ହେ।୨।
କିଏ ସେ ନୀଳାଚଳେ ବସି ବଡ଼ ଦେଉଳେ
ଜନ-ମନ-ନୟନ ହରିବ ହେ,
କେ ହୋଇ କୃପାସିନ୍ଧୁ ବିତରି କୃପାବିନ୍ଦୁ
ଦୀନବନ୍ଧୁ ନାମକୁ ଧରିବ ହେ।୩।
ହୋଇ ଜଗତନାଥ ସାଜିଣ ଦାରୁଭୂତ
ହୃଦ ଯେବେ ପଥର କରିବ ହେ,
ତେବେ କା ପାଦେ ପଡ଼ି ଜଣାଇ କରଯୋଡ଼ି
କଷଣୁ ବଇକୁଣ୍ଠ ତରିବ ହେ।୪।
କରୁଣାସାଗର କମଳାକାନ୍ତ କର୍ଣ୍ଣପାତି ଘେନାକର ବୃତ୍ତାନ୍ତ
କରିନାହିଁ ଜ୍ଞାନ-ଧ୍ୟାନ ଧରଣା କେବଳ ଚରଣ ଶରଣ ବିନା ହେ
କିଛି ନ ଜାଣଇ ଆନ ହେ,
କହ ସତ କରି ତୋର ରାଜ୍ୟେ ହରି
ଦେବୁ କି ନ ଦେବୁ ସ୍ଥାନ ହେ।।୧।
କ୍ଷିତିରେ ଅଛି ଯେତେ ସୁଖମାନ କ୍ଷଣକ ପାଇଁ ନ ମାନେ ମୋ ମନ
ଖାଇବି ମୁଠିଏ ପେଟ ପୂରାଇ ଖୁସୀରେ ବୁଲିବି ତୋ ଗୁଣ ଗାଇ
ଖିଆଲେ ଭାବିଛି ଏହା ହେ,
ଖେଳିବା ବେଳର ମାଗୁଣୀ ମାତର
ନ ଜାଣ କି ଚଉବାହା ହେ ?।୨।
ଜ୍ଞାନର ଗାରିମା ମୁଁ ଲୋଡୁ ନାହିଁ ଗଉରବେ ପଦେ ନ କହୁ କେହି।
ଗେଲ ମଣୁଥାନ୍ତୁ ଜଗତଜନ ଗୋବିନ୍ଦ ଗୁଣରେ ରସୁ ମୋ ମନ
ଗତିମୁକ୍ତି ଜାଣେ ନାହିଁ ହେ,
ଗିରିଧାରୀ ତୋର ଯାହା ଇଚ୍ଛା କର
ଆଶା ଭରସା ମୋ ତୁହି ହେ।୩।
ଘେରେ ଅନ୍ତେ ଘନ ଅନ୍ଧାର ଯେବେ ଘୋଡ଼ାଇଦେବୁ ଚକ୍ର ମୋତେ ତେବେ,
ଘନବରନ, ଘେନି ମୋ ଜୁହାର ଘୋର ଭବସିନ୍ଧୁ କରିବୁ ପାର
ଘଡ଼ି ଘଡ଼ି ଛାଡ଼େ ରଡ଼ି ହେ
ଘୋଷି ତୋର ନାମ ବଇକୁଣ୍ଠ ହୀନ
ଘଣିରେ ନ ମରୁ ବୁଡ଼ି ହେ।୪।
କଳାକାହ୍ନୁ ହେ, ମୋତେ କୁହନି ଥରେ
କି କାରଣେ ମୋତେ ପଠାଇ ମରତେ
ନିତି ବୁଲାଉଛ ବାର ଦୁଆରେ ?।୦।
ଧରି ତୁମ୍ଭ ନାମ ହେଲେ ହୀନିମାନ
ଅପନିନ୍ଦା ନ ହେବ କି ରସାରେ ?
ଅସାର ଏ ପିଣ୍ଡ ହୋଇ ଲଣ୍ଡଭଣ୍ଡ
ଦଣ୍ଡଭୋଗେ ଯେବେ ତୁମ ଆଶ୍ରାରେ।୧।
ତେଜି ସବୁ ଧନ୍ଦା ଛନ୍ଦା ପଦେ ଫନ୍ଦା
କରି ଯଦି ବୃଥା ହୁଏ ଶେଷରେ
ସରିବ ମହତ କହି କଳାଭୂତ
କେହି ନ ପଶିବେ ତୁମ୍ଭ ପାଶରେ।୨।
ଥାଉଁ ଲକ୍ଷ୍ମୀ ମାତା ମୋ ଦୀନ ଅବସ୍ଥା
ନ ମେଣ୍ଟିବ ଯେବେ ଅତି ଶସ୍ତାରେ
ଧରି ଭିକ୍ଷା ଝୁଲି ଗାଆଁ ଗାଆଁ ବୁଲି
ମାତିବି କି ଖାଲି ଭାତ ଚିନ୍ତାରେ ?।୩।
ହୋଇ ତୋ ଚାକର ସାଜିଲେ ଫକୀର
ପସନ୍ଦ କେ କରିବ କି ବାହାରେ ?
କହେ ବଇକୁଣ୍ଠ ଏହାଠାରୁ ଶ୍ରେଷ୍ଠ
ହସି ମରଣକୁ ବରି ନେବାରେ।୪।
କଳାବଦନକୁ ଚାହିଁ ଯେ,
କାତରେ ଜଣାଏ କେହି,
କାଳକଳି ବେଳୁ- ବେଳ ଗ୍ରାସଇ,
ହେ କଳା କହ୍ନାଇ, କାରଣ କର ଗୋସାଇଁ।୧।
ଖଡ଼ଗେ ଛେଦ ତା ଶିର ହେ,
କ୍ଷଣେ ବିଳମ୍ଵ ନ କର
ଖଣ୍ଡ ଖଣ୍ଡ ହେଉ ତା କଳେବର
ହେ କ୍ଷମା-ସାଗର, ଖଣ୍ଡିଯାଉ କ୍ଷୀତିଭାର।୨।
ଗ୍ରାମଦେଶେ ପଶି ଖଳ ଯେ
ଗରବ କରି ସମ୍ଵଳ
ଗାରିମାରେ ନାଶେ ଜ୍ଞାନର ବଳ
ହେ ଗୋପଗୋପାଳ, ଗତି ତା ରୋଧ ଚଞ୍ଚଳ।୩।
ଘଟାଇ ନାନା ଅନୀତି ହେ,
ଘାରେ ମାନବଙ୍କ ଧୃତୀ
ଘୋର ବିପତ୍ତିରୁ ରଖ ଶ୍ରୀପତି
ହେ- ଘଟଣ ମୂର୍ତ୍ତି, ଘଡ଼ିକେ ଘୁଞ୍ଚୁ ଅରାତି।୪।
ଊଣା ନ କର କରୁଣା ହେ,
ଉତ୍ତମ ଜନେ ତୋ କିଣା
ଉଛୁର ନ କର ଏ ବୁଝାମଣା
ହେ ଉତ୍ସାହେ ଅନା, ଉଡ଼ୁ ରାଜ୍ୟେ ସତ୍ୟବାନା।୫।
କଳାମେଘ ଉଠିଲା ଆକାଶରେ
କେଉଁ କୁଞ୍ଜେ ଲୁଚିଛୁ କାହ୍ନୁ ଆସ ରେ।୦।
ଅନ୍ଧାର ରାତି ବନ ଆମେ ଯୁବତୀଜନ
ଘନଘନ ବିଜୁଳି ଦିଏ ତ୍ରାସ ରେ।୧।
ଶୁଣିଣ ଘଡ଼ଘଡ଼ି ପରାଣ ଯାଏ ଉଡ଼ି
କରି ରଡ଼ି ତୋ ଲାଗି ଯିବୁ ନାଶ ରେ।୨।
ଘୋର ବରଷାକାଳେ ମରିବୁଟି ସକଳେ
ଆଉ ଏ ବେଳେ ନ କର ନିରାଶ ରେ।୩।
ବଜାଇ ବଂଶୀ ସ୍ଵର ଛଡ଼ାଇ ଘରଦ୍ଵାର
ହରବର କରିନେବୁ କି ଯଶ ରେ।୪।
ତୋ ଠାରେ ଦେଇ ଚିତ୍ତ ତେଜିଲୁ ସୁତ ବିତ୍ତ
ହେଲୁ ହତ ନିଶ୍ଚୟ ଗୋପୀବଂଶ ରେ।୫।
କହଇ ବଇକୁଣ୍ଠ ହଟ ଛାଡ଼ ଶ୍ରୀକୃଷ୍ଣ
ଆମ୍ଭ ଇଷ୍ଟସ୍ଵରୂପେ ହୁଅ ଦୃଶ୍ୟରେ।୬।
କଳା ରୂପରେ କର ଲୀଳା ବଉଳ
କଳପଣା ବାହାରେ- ନାହିଁ ଏ ଖେଳ। ପଦା
କର-ଚରଣ-ଶିର ଭେଦ ନାହିଁ ଯାହାର
କାତର ହେଲେ ବ୍ରହ୍ମା, ବିଷ୍ଣୁ, ଯେ ଦେବହର
କେ କହିବ ଅଜ୍ୟୋତିମଣ୍ଡଳର ବିଚାର
କାରଣ ହୋଇ ଜନ୍ମି ନ ଥିଲା ଚରାଚର
କେତେ ସାଧୁଙ୍କ ସିଦ୍ଧି ହେଲା ବିଫଳ।୧।
କେବଳ ରେହରୂପୀ ଗାର ହୋଇଲା ସ୍ଥିତି
କରାଇଲେ ତହିଁରୁ ଅଣାକାର ଉତ୍ପତ୍ତି
କବାଟପ୍ରାୟ ରହି ପରମ ଶୂନ୍ୟାକୃତି
କୃଷ୍ଣ ରୂପରେ ଜାତ ହେଲେ ବିନ୍ଦୁ ମୂରତି
କଳା ପ୍ରକାଶ ହେଲା ତହୁଁ ନିର୍ମଳ।୨।
କଳପବଟ ନାମ ଦେଇ କଲେ ବିଶ୍ରାମ
କାଳିନ୍ଦୀ ନଦୀପରେ ଶିଶୁବେଦ ଅନାମ
କେତୁକା ଜଗିଅଛି ଧରି ପାର୍ବତୀ ନାମ
କରୁଅଛି ଭକ୍ତଙ୍କୁ କଳନା ନିଶିଦିନ
କର ତା ପାଦେ ସେବା ହେବ ସୁଫଳ।୩।
କମଳ ସସ୍ରଦଳେ ବିହରନ୍ତି ଯୁଗଳେ
‘କ୍ଳୀଂ’ ଆଦି ସେ ବୀଜ ପଞ୍ଚତତ୍ତ୍ଵ ତା ତଳେ
କ୍ରମେ ଶୂନ୍ୟମନ୍ଦିରୁ ଷୋଳ ଗୋପୀ ଜନ୍ମିଲେ
‘କାମ ରମା ପରା’ ଏ ପ୍ରେମଷୋଡ଼ଶୀ ହେଲେ
କଲେ ନବଧା ଭକ୍ତିଭାବ ସମ୍ଵଳ।୪।
କହୁଛି ତୋତେ ସହୀ, ଅନୁଭବରେ ଧ୍ୟାୟି
କାମନା ଫଳ ତେଜି କରମ କର ତୁହି
କାହା କଥାରେ ଆଉ ପଡ଼ି ନ ହୁଅ ବାଇ
କିଶୋରକିଶୋରୀଙ୍କ କ୍ରୀଡ଼ା ଦର୍ଶନେ ରହି
କଟିଯାଉ ବୈକୁଣ୍ଠ ରିଷ୍ଟ ସକଳ।୫।
କଳା ଶ୍ରୀମୁଖକୁ ଚାହିଁ ଯେ,
କାତରେ କାନ୍ଦି କେ କହି,
କାଳକବଳରେ ସରିଲି ମୁହିଁ ହେ,
କଳାକହ୍ନାଇ, କାଳେ କୃପା କଲ ନାହିଁ।୧।
କଷଣ ଦେଉଛିକଷି ହେ,
କୃଶ ହେଲା ତନୁ ଆସି,
କର ସୁବିଚାର କାଳିଆ ଶଶୀ ହେ,
କରୁଣାରାଶି, କାରଣ ବତାଅ ଆସି।୨।
କ୍ଷମାକର ମୋର ଦୋଷ ହେ,
କ୍ଷମାନିଧି ପୀତବାସ,
ଖଗପତି ଥାଉଁ ଗଲେ ମୁଁ ନାଶ ହେ,
ଖିଳନିବାସ, ଖଳେ ନିନ୍ଦିବେ ଅବଶ୍ୟ।୩।
ଗେଲ ନମଣ ମୁରାରି ହେ,
ଗୋବର୍ଦ୍ଧନ ଗିରିଧାରୀ,
ଗହଣେ ଖଟାଅ ସୁଦୟା କରି ହେ,
ଗୋବିନ୍ଦହରି- ଗାଇ ଦିନ ଯାଉ ସରି।୪।
ଘନଶ୍ୟାମ ତୋ’ର ନାମ ହେ,
ଘୋଷି ଘୋଷି ନିଶିଦିନ
ଘୁଞ୍ଚୁ ବଇକୁଣ୍ଠ ଦୁର୍ଗତିମାନ ହେ,
ଘନବରନ, ଘାଉଆ ନ ହେଉ ମନ।୫।
କଳାସାରି ତୁ କୃଷ୍ଣନାମ ଘୋଷ ଲୋ
ହରେରାମ ଗାଇଣ ରଖ ଯଶ ଲୋ।୦।
ଦଦରା ପିଞ୍ଜରାରେ ଘୂରୁ ବୃଥା ଆଶାରେ
କାଳ ମାର୍ଜାର କରିଦେବ ଗ୍ରାସ ଲୋ।୧।
ତେଜିଣ ଦୁଧଭାତ ପିଅ ତୁ ନାମାମୃତ
ପୂର୍ବକୃତ ଦୁଷ୍କୃତ ହେବ ଧ୍ଵଂସ ଲୋ।୨।
ଜଟିଳ ଏ ଦୁନିଆ କରି ଦିଏ ଛାନିଆଁ
ହୀନିମାନିଆ ହୋଇ ନ ଯା ନାଶ ଲୋ।୩।
ଚଞ୍ଚଳ ଛାଡ଼ି ପଲା କୁଞ୍ଜକାନନେ ପଳା
ଯହିଁ ଝରୁଛି ନିତ୍ୟ ଲୀଳାରସ ଲୋ।୪।
ମଧୁର ସ୍ଵର ସହ ରାଧାମାଧବ ଗାଅ
ବଇକୁଣ୍ଠକୁ କରାଅ ସନ୍ତୋଷ ଲୋ।୫।
କଳିକାଳ କାଳିଆ ଦିଅଁ
କମଳ ଚରଣେ ଶରଣଦିଅ
କାକୁତି ବିନତି କରି ମୁଁକହୁଛି
କୃପାକରି ଚକାନୟନ ଚାହଁ।୦।
କରତା ତ ତୁମେ ସବୁରି
କି ଦୋଷ ମୁଁ କଲିକି ହରି
କିଛି ନ ବିଚାରି କାହିଁକି ଏପରି
ସଫା ସଫା ଦଫା ବତାଇ ଦିଅ।୧।
କାଳ କବଳରେ ତ ପଡ଼ି
କିଏ କିସ ନ କରେ ହୁଡ଼ି
କେବଳ ବିଗିଡ଼ି ଯାଅ ନ ସଜାଡ଼ି
ନୁହଁଇ କି ମୁହିଁ ତୁମରି ପୁଅ ?।୨।
କାନ୍ଦି କାନ୍ଦି ନିନ୍ଦି କପାଳ
କରଯୋଡ଼ି କରେ କଟାଳ
କପଟ ନ କରି କରୁଣା ବିତରି
କଷଣୁ ଏଥର ଉଦ୍ଧରି ନିଅ।୩।
କାୟ ମନେ ହୁଅ ସହାୟ
କରୁଥିବି ତୁମ୍ଭଙ୍କୁ ଲୟ
କହେ ବଇକୁଣ୍ଠ ତୁମ୍ଭେତ ମୋ ଇଷ୍ଟ
କିଏ ଆଉ ମୋତେ ଦେବ ଅଭୟ ?।୪।
କଳିକାଳ ଲୀଳା ସାର ଚଂଚଳ, ମୋ କଳା ସାଆନ୍ତ
ତା’ ପ୍ରତାପେ ଭକ୍ତେ ହୋନ୍ତି ବିକଳ, ମୋ କଳା ସାଆନ୍ତ।୧।
ଦୁର୍ଗତି ଦୁର୍ନତୀ ହୋଇଲା ଭାରି, ମୋ କଳା ସାଆନ୍ତ
ଗ୍ରାମ ଦେଶ ଯଶ ଦେଲାଣି ସାରି, ମୋ କଳା ସାଆନ୍ତ।୨।
ଧ୍ରୁବ ଧର୍ମନୀତି ହେଲାଣି ବଣା, ମୋ କଳା ସାଆନ୍ତ
ଆଖି ଥାଉଁ ସବୁ ହେଲେଣି କଣା, ମୋ କଳା ସାଆନ୍ତ।୩।
ଗୁରୁ ଗଉରବ ବାକ୍ୟ ନ ମାନି, ମୋ କଳା ସାଆନ୍ତ
ଟାହି କରି ଟୋକା ବୋଲାନ୍ତି ଜ୍ଞାନୀ, ମୋ କଳା ସାଆନ୍ତ।୪।
ପୁରାଣ ଶାଆସ୍ତ୍ର ପୁରୁଣା ହେଲା, ମୋ କଳା ସାଆନ୍ତ
ପ୍ରାଣେ ଆଧୁନିକ ବାୟୁ ବହିଲା, ମୋ କଳା ସାଆନ୍ତ।୫।
କନ୍ୟାପିତାମାନେ ହେଲେ ନିରେଖ, ମୋ କଳା ସାଆନ୍ତ
ଯୋଗାଇ ନ ପାରି ବରଙ୍କୁ ଶୁଳ୍କ ମୋ କଳା ସାଆନ୍ତ।୬।
ଧର୍ଷଣ କଷଣ ହତ୍ୟା ଆବର, ମୋ କଳା ସାଆନ୍ତ
ଗୁରୁତର ଅପରାଧ ବେପାର, ମୋ କଳା ସାଆନ୍ତ।୭।
ଦିନକୁ ଦିନ ତ ପ୍ରବଳ ହେଲା, ମୋ କଳା ସାଆନ୍ତ
ଧର୍ମଭାବେ ନାନା ଭେଦ ପଶିଲା, ମୋ କଳା ସାଆନ୍ତ।୮।
ସବୁରି ହୃଦରେ ପୂରିଲା ହିଂସା, ମୋ କଳା ସାଆନ୍ତ
ଭବିଷ୍ୟତ ଭଲ ନୋହିଲା ଆଶା, ମୋ କଳା ସାଆନ୍ତ।୯।
ନରନାରୀ ବହୁ ଦୁଃଖ ଭୋଗିଲେ, ମୋ କଳା ସଆନ୍ତ
ମନ କ୍ଷୋଭେ ନିଜ ମାନ ଜଗିଲେ, ମୋ କଳା ସାଆନ୍ତ।୧୦।
ଚୋରୀ ଜୁଆଚୋରୀ ବଢ଼ି ଚାଲିଲା, ମୋ କଳା ସାଆନ୍ତ
ଆଧ୍ୟାତ୍ମିକ ଜ୍ଞାନ ଲୋପ ପାଇଲା, ମୋ କଳା ସାଆନ୍ତ।୧୧।
କେତେକାଳେ ଯିବ ଏ ସବୁ ବ୍ୟଥା, ମୋ କଳା ସାଆନ୍ତ
ସନ୍ଥ ଜନେ ମିଳି କରନ୍ତି ଚିନ୍ତା, ମୋ କଳା ସାଆନ୍ତ।୧୨।
ତବ ବିନା କିଏ କରିବ ପାର, ମୋ କଳା ସାଆନ୍ତ
କହେ ବଇକୁଣ୍ଠ କର ବିଚାର, ମୋ କଳା ସାଆନ୍ତ।୧୩।
କଲି ତାଙ୍କୁ ଯେତେ ମନା ଗୋ ଶ୍ରୀମତୀ
କଲି ତାଙ୍କୁ ଯେତେ ମନା
ହୋଇଣ ବିନୟୀ କହିଲି ଘେନାଇ
ନ କଲେ ତୋ କଥା ଘେନା।୦।
ଦେଲେ ସେ ଯେଉଁ ଉତ୍ତର ସଜନୀରେ
ଶୁଣି ମୁଁ ହେଲି କାତର,
ତୋହ ପାଇଁ ସେହି ଅବତାର ହୋଇ-
ଛନ୍ତି ଗୋପେ ନନ୍ଦ କହ୍ନା ଗୋ।୧।
ଛାଡ଼ି ଦେଲେ ବଂଶୀସ୍ଵନ ସଜନୀରେ
ନ ବର୍ତ୍ତିବେ କେହି ଜନ,
ଏ ବ୍ରଜ ନଗର, ହେବ ଛାରଖାର
ନ ଝରିବଟି ଯମୁନା ଗୋ।୨।
ଶୂନ୍ୟେ ଯିବେ ପଞ୍ଚଭୂତ ସଜନୀରେ
ନ ବହିବଟି ବସନ୍ତ,
ଧର୍ମ, କର୍ମ, ଜ୍ଞାନ ହେବ ଅକାରଣ
ସବୁ ତାହାପାଇଁ ସିନା ଗୋ।୩।
ରାଧାକୃଷ୍ଣ ନାମ ସାର ସଜନୀରେ
ବ୍ୟାପିଛି ସଚରାଚର
କ୍ଷଣେ ହେଲେ ଦୂର ଘୋଟିବ ଅନ୍ଧାର
ନୋହିବ ସୃଷ୍ଟି ରଚନା ଗୋ।୪।
ହୀନ ବଇକୁଣ୍ଠ କହି ସଜନୀରେ
ସେ ତୋର ତୁ ତାର ସହୀ
ଜାଣି ଶୁଣି ଏହା ମିଛେ ହେଉ ବାୟା
ମୋ ଆଗେ କରି ଛଳନା ଗୋ।୫।
କଷି କମର କରମ କର
ଆସିଛୁ ଯେବେ ଏହି ମରତେ
କରମ ବିନା ସବୁ ଅସାର
ଏ କଥା ବୁଝିଥାଅ ତୋ ଚିତ୍ତେ।୦।
କର୍ତ୍ତବ୍ୟ ପଥେ ଆଗେଇ ଚାଲ
କର ବିଚାର କେ ଭଲ ଭେଲ
ତେଜି ନକଲ ଧର ଅସଲ
କଲବଲ ତୁ ନ ହେବୁ ଏତେ।୧।
ଭଙ୍ଗୀ ସଂସାର ଏ ବସାଘର
ମିଛେ ନ କହ ତୁ ମୋର ମୋର
କିଛି ନ ନେବୁ ସଙ୍ଗରେ ତୋର
କେହି ନ ଯିବେ ତୋ ଚଲାପଥେ।୨।
କରିବୁ ଯାହା ଭୋଗିବୁ ତାହା
ନ କହିବେ କେ ତୋ ପାଇଁ ଆହା
ସେ ପାରେ କେହି ନାହିଁ ତ ସାହା
ତୋ କର୍ମ ରାହା ଦେବରେ ତୋତେ।୩।
ଅଛିଟି ଜଣେ ଅନ୍ତର କୋଣେ
ନିତି ରହ ତା ଅନୁସରଣେ
ସେ ବଡ଼ ଖଣ୍ଟ ବୈକୁଣ୍ଠ ଭଣେ
ସବୁ ରଖିଛି ତା ନିଜ ହାତେ।୪।
କହ କହ ହେ ପଥର ଦେବତା
କାନ୍ଦି କହିଛି କେତେ ମୁଁ ବାରତା,
କିବା କାନେ ନ ପଶିଲା ସେ କଥା
କହି ଦେଲେ ଦୂର ହୋନ୍ତା ମୋ ଚିନ୍ତା।୧।
ନାନା ଜାତି ବନ ଫୁଲ ତୋଳିଛି
ନବରଙ୍ଗେ କେତେ ହାର ଗୁନ୍ଥିଛି,
ନିତି ଚରଣେ ତୁମ୍ଭର ସଜାଇ
ନତକରି କୋଡ଼ିଛି କେତେ କଥା।୨।
ଭାବ ବିଭୋର କେବେ ହୋଇ ବାଇ
ଭାବେ ନାଚିଛି କେତେ ଯେ ତୋ ପାଇଁ,
ଭବେ ଆଶାଭରସା ମୋର ଭାବି
ଭାଷାଛନ୍ଦେ ଭାଷିଛି ତ କବିତା।୩।
ଚିତ୍ତେ ପସନ୍ଦ ଯେବେ ୟା ନୋହିଲା
ଚେତାଇ ଦିଅ କେବେ ଥରେ ଭଲା,
ଚିର ଦିନ ବଇକୁଣ୍ଠ ପରାଣ
ଚାହିଁ ଚାହିଁ ହନ୍ତସନ୍ତ ନୁହଁନ୍ତା।୪।
କହନି ରକ୍ତଜବା,
କେଉଁ ସାଧନା ସାଧି ତୁମେ ପାଇଲ
ଶ୍ୟାମା ଶ୍ରୀପଦସେବା।ପଦା
କି ମନ୍ତ୍ରେ ତୁମେ ଦୀକ୍ଷିତ ହୋଇ
କି ଯୋଗ ଲୟ କରିଲ କାହିଁ
କେଉଁ ଭକତି- ରଙ୍ଗେ ରଙ୍ଗାଇ
ଧରିଛ ରଙ୍ଗ ପ୍ରଭା।୧।
କେଉଁ ଜନମ ସଫଳ କରି
ପାଇଛ ମା’ର ଚରଣ- ତରୀ
ତୁମ୍ଭ ପ୍ରଣତି ଗ୍ରହଣକରି
ମାଆ ଦିଶନ୍ତି ଶୋଭା।୨।
ମାୟା- ତରୁର ବନ୍ଧନ ଏଡ଼ି
ଚରଣରଜେ ପଡ଼ିଲଗଡ଼ି
ମୁକ୍ତି କୈବଲ୍ୟ ନେଲତ ଲୋଡ଼ି
ହୋଇଣ ମନ ଲୋଭା।୩।
ସୁଗନ୍ଧଭରା କେତେ କୁସୁମ
ନୋହିଲେ କେହି ତୁମ୍ଭରି ସମ
ବଇକୁଣ୍ଠ କୁ ଶିଖା ସେ ପ୍ରେମ
ନିସ୍ତରି ଯିବ ଅବା।୪।
କହରେ କାଳିଆ ତୋ ସିଂହଦୁଆରେ
ଭିଡ଼ ଜମିଛି କାହିଁକି
ଦୁଃଖୀଙ୍କ ବୋବାଳି ଅଳି ଅରଦଳି
କାନରେ ବାଜୁନାହିଁ କି...
କାଳିଆରେ।୦।
ଜଗନ୍ନାଥ ନାମ ବଜାଇ ଡିଣ୍ଡିମ
ବିଖ୍ୟାତ କରିଛୁ କିଆଁ
ଭକତ ବିଶାଦ ଦେଖି ଯେବେ ଖେଦ
ବହି ହୋଇବୁ ଛାନିଆଁ
ମାରଣ ତାରଣ କାରଣ ଶରଣ
ମୂଳରେ ଜଣେ ନାହିଁକି..
କାଳିଆରେ।୧।
କହିଛୁ ତ ଥରେ ତୋ ଚକା-ଆଖିରେ
ନାହିଁ କେହି ବଡ଼ ସାନ
ପାତର ଅନ୍ତର ଭାବ କରି ଦୂର
ସରବେ ଦେଖୁ ସମାନ
କାହାକୁ ବା ଦଣ୍ଡି କାହା ଦୋଷ ଖଣ୍ଡି
ଗତି ଦେଉ ତୁ ସଭିଙ୍କି
କାଳିଆରେ।୨।
କହିଥିବା କଥା କରିଲେ ଅନ୍ୟଥା
ବୋଲିବେ ନାହିଁ କି ଜନେ
ଏତେ ବଡ଼ ଲୋକ ଧପାବାଜି ଦେଖ
ଆଉ କି ବୋଲିବା ଆନେ
ଭାବେ ବଇକୁଣ୍ଠ ଇଷ୍ଟ ସତ୍ୟନିଷ୍ଠ
ସବୁରି ହିତ ପାଇଁକି..
କାଳିଆରେ।୩।
କହିଅଛ ପ୍ରଭୁ କାଳେ କାଳେ
ତୁମ୍ଭେ ଗରିବ ଗୁହାରି ଶୁଣତ
ମୁଣ୍ଡକୋଡ଼ି କେତେ କାତରେ କାନ୍ଦିଲେ
କେବେ କାନକୁ ନ ଆଣତ।୧।
ଶୁଣିଅଛି କାହିଁ ସୁଦାମ ବ୍ରାହ୍ମଣ
ଦରଶନ ସହ ପାଇଥିଲା ଧନ
ଏବେ ଆଉ କାହିଁ ନ ଦେଖେ ନୟନ
ଥିବା ପରି ପୂର୍ବପଣ ତ।୨।
କେବେ ପୁଣି ଥରେ କୁବୁଜା କୁଜକୁ
ସଳଖି ଥିଲ ହେ ବୁଲାଇ ଭୁଜକୁ
ଆଜି ଯୁଗେଛନ୍ତି ଯେତେ କେମ୍ପା କୁଜା
କେତୋଟି ତାରିଛ ଭଣତ।୩।
ବଡ଼ ଲୋକ ବୋଲି ନକହନ୍ତି କେହି
କହିଲେ ମହତ ସରିବ ଗୋସାଇଁ
ବଇକୁଣ୍ଠ ଚିତ୍ତଚାତକ ଅନାଇ
ରହିଛି ଶରଣ ଦିଅତ।୪।
କହିବାକୁ କିଛି ନାହିଁ ସବୁ ଜାଣ ହେ ଗୋସାଇଁ
କାହିଁକି ଆଣିଛ ଭବେ
କି କାର୍ଯ୍ୟ କରିବା ପାଇଁ।୦।
ଭିତର ବାହାର ସବୁ ତୁମେ ତ ଜାଣିଛ ପ୍ରଭୁ
ତୁମ ରାୟ ବିନା ହାୟ !
କା କଥାରେ ମୂଲ୍ୟନାହିଁ।୧।
ମୁଁ ଜୀବ ତୁମେ ପରମ ତୁମେ ମୋ ଶ୍ରେଷ୍ଠ ଧରମ
କରମ କରିବି ଯେତେ
ସବୁ ତୁମ ପ୍ରୀତି ପାଇଁ।୨।
ପାରେନି ଶ୍ରୀଆଜ୍ଞା ମାନି ହୁଏ ଖାଲି ଅଭିମାନୀ
ତୁମଠାରୁ ଜ୍ଞାନୀ- ମାନୀ
ଧନୀ କେ ଜଗତେ ନାହିଁ।୩।
ଶରଧାରେ ହୋଇ ଭୋଳ ଠାବ ଦେଇଛ ତ କୋଳ
ନାହିଁ ବୈକୁଣ୍ଠର ବଳ
କାଳପଛେ ଅଛି ଧାଇଁ।୪।
କାନନରେ ଶୁଭେ ଏକି ସ୍ଵନ ଗୋ...
ଶୁଣି ମନ ହୁଏ ଛନ୍ନ ଛନ୍ନ।୦।
ଛନ୍ତି କେତେ ଭୂଆସୁଣୀ ନ ଡାକେ କାହାକୁ
ରାଧାନାମ କେବା ଯାଇଁ କହିଲା ତାହାକୁ ଗୋ
ଲୁଟିବାକୁ ଧଇର୍ଯ୍ୟ ଗୁମାନ ଗୋ
ସାରିବତ ନବବଧୂପଣ ଗୋ।୧।
ଶବଦ ପଥକୁ ବାରି ଯାଆନ୍ତି ବା ଧାଇଁ
ଶାଶୁ-ନଣନ୍ଦ ଗଞ୍ଜଣା ନପାରିବି ସହି ଗୋ
ଘରକୋଣେ ହରାଇବି ପ୍ରାଣ
ନିଶ୍ଚୟ ମୁଁ କହିଅଛି ଶୁଣଗୋ।୨।
ଅମୃତରୁ ବଳି ସ୍ଵାଦ ଅଟେ ତାର ସ୍ଵର
ବଜାଉ ଅଛି ଯେ, ହୋଇଥିବ କି ସୁନ୍ଦର ଗୋ
ଯେ ଦେଖିବ ଧନ୍ୟ ତା’ ଜୀବନ
ନିମିଷେ ଲଭିବ କୋଟି ପୁଣ୍ୟ ଗୋ।୩।
ସର୍ବଗୁଣେ ପରିପୂର୍ଣ୍ଣ ରସର ଭଣ୍ଡାର
ସାର ହୋଇ ରହିଥିବ ସେ ରୂପ ମଧ୍ୟର ଗୋ
ମନେ ମୋର ହୁଏ ଅନୁମାନ
କରୁଥିବ ବହୁ ପ୍ରେମ ଦାନ ଗୋ।୪।
ଜାତି ଗୋତ୍ର କାହାର ତ ରଖିଦେବ ନାହିଁ
କେତେ କେତେ କୁଳବତୀ ଝୁରିବେ ତା’ ପାଇଁ ଗୋ
ହଜାଇ ବିଜ୍ଞାନୀଙ୍କର ଜ୍ଞାନ
ଅସ୍ଥିର କରାଇ ଦେବ ଧ୍ୟାନ ଗୋ।୫।
ସଜନୀ ମୋ ରାଣ ଦେଇ କହ ଯା ବୁଝାଇ
ପରଘରବୁଡ଼ା ବୁଦ୍ଧି ଛାଡ଼ନ୍ତୁ କହ୍ନାଇ ଗୋ
ହଟିଯାଉ ଦାସୀର କଷଣ
ବଇକୁଣ୍ଠ ନୋହୁ ହୀନିମାନ ଗୋ।୬।
କାଳିଆ କହ୍ନାଇ ମୋର ପ୍ରାଣ ସଜନୀ ଜାଣ ରେ
ଗଲେ ପଛେ ଯାଉ ଜୀବ ମନୁ ଅନ୍ତର ନୋହିବ
କହୁଛି ମୁଁ ନ କର ବାରଣ ରେ, ସଜନୀ।୦।
ଘରେ ବା ବାହାରେ ସହୀ ଆନ କିଛି ଦିଶୁ ନାହିଁ
ନାଚେ ନେତ୍ରେ ତା ଚନ୍ଦ୍ର ବଦନରେ।୧।
ଶୟନେ ସ୍ଵପନେ କର୍ଣ୍ଣେ ଜାଗିଲେ ମୁରଲୀମନେ
ଯାଏ ଜେଣେ ଲଜ୍ଜା ଅଭିମାନରେ।୨।
ଗୁଣି ହେଉଥାଏ ବସି ଯିବାକୁ ତା ସଙ୍ଗେ ମିଶି
ଦାସୀ ହୋଇ ଦେବି ତନୁ ଦାନରେ।୩।
କେତେକାଳ ଭାବି ବିହିଏ ରୂପକୁ ଥିଲା ଲିହି
ତିନି ଲୋକେ ନାହିଁ ତା ସମାନରେ।୪।
କହେ ବଇକୁଣ୍ଠ ଦ୍ଵିଜ ଛାଡ଼ି ବେଦ ବିଧି କାର୍ଯ୍ୟ
ତାର ପଦରଜ ମହା ପୁଣ୍ୟରେ।୫।