ପ୍ରାଚୀ ତୀରେ

ଉଦୟନାଥ ତ୍ରିପାଠୀ

 

ଉତ୍କଳ ଅତୀତ ଚାରୁ ଶିରୋମଣି

ଇତିହାସ ପୃଷ୍ଠା ମଣ୍ଡିତା ତଟିନୀ ।

ପ୍ରାଚୀ ଦିଗେ ଯେଣୁ ଗମନ ତୋହର

ପ୍ରାଚୀ ନଦୀ ନାମେ ପରିଚୟ ତୋର ।

 

ଅନ୍ୟ ଅର୍ଥେ ତୋର ଜନ୍ମ ଶୁଭ କ୍ଷଣେ

ମୃତ୍ୟୁଞ୍ଜୟ ତୁହି ଉତ୍କଳ ଭୁବନେ ।

ଏବେ ତୋର ବକ୍ଷ ଶ୍ମଶାନ ଗ୍ରାସିଛି

କର୍ପୂର ଉଡ଼ିଛି କନା ପଡ଼ିଅଛି ।

 

ଦେଖି କୃଶ କାୟା ଦୁର୍ଦ୍ଦିନ ତୋହର

ନୟନରୁ ଝରେ ଅଶ୍ରୁଧାର ମୋର ।

ସୌଭାଗ୍ୟ ମଣ୍ଡିନୀ ଥିଲୁ ତୁ ଅତୀତେ

ଓଡ଼ିଆ ସାଧବ ଚଳି ମନୋରଥେ ।

 

ଶ୍ରୀଲଙ୍କା, ବୋର୍ଣ୍ଣିଓ ଜାଭା ଦ୍ଵୀପ ଯାଇ

ଧନ ଆଣୁଥିଲେ ଓଡ଼ିଶାକୁ ବୋହି ।

ସୁମାତ୍ରା, ବାଲିର ଦ୍ଵୀପ ଦେଶେ ଯାଇ

ଓଡ଼ିଶା କୀରତି ପ୍ରଚାରିଲେ ତହିଁ ।

 

ତୋର କାୟା ଥଲା ବିଶାଳ ବିସ୍ତୃତ

ତୋର ଜଳଧାର ସାକ୍ଷାତ ଅମୃତ ।

ପାବନୀ ଗଙ୍ଗାର ଅଗ୍ରଗାମୀ ତୁହି

ପ୍ରାଚୀ ମହାତମା ଏକଥା କହଇ ।

 

ଶତ ମୁନୀ, ଋଷି ତପସ୍ଵୀ ପ୍ରବର

ଆଶ୍ରମ ରଚିଲେ ତୋର ପୁଣ୍ୟ ତୀର ।

ଶାନ୍ତ ସୌମ୍ୟ, ସ୍ନିଗ୍ଧ ପରିବେଶ ତୋର

ସ୍ଵର୍ଗସୁଖ ଆଣୁଥିଲା ହୃଦୟର ।

 

ସିଦ୍ଧି, ବୁଦ୍ଧି, ରିଦ୍ଧି ଲଭି ମୁନୀଗଣ

ଓଡ଼ିଶା ମାଟିକୁ କରିଥିଲେ ଧନ୍ୟ ।

ପୂର୍ବେ ତୁହି ଥିଲୁ ମହାନଦୀ ଧାର

ମହାନ ଥିଲା ତୋ ନୀଳ ଜଳଧାର ।

 

ନରାଜ ଅଞ୍ଚଳୁ ପୂର୍ବଗାମୀ ହୋଇ

ମହୋଦଧି ଜଳେ ମିଶିଥିଲୁ ତୁହି ।

କାଠଯୋଡ଼ି ଥଲା ଅତି କ୍ରୁଶକାୟ

କାଠ ଖଣ୍ଡ ଯୋଡ଼ି ଓଡ଼ିଶାର ପୁଅ ।

 

ପାରି ହେଉଥିଲେ ସୁଖେ ଜଳଧାର

ନ ଥିଲା ସେକାଳେ ବିଶାଳ, ପ୍ରବଳ ।

ପ୍ରାଚୀ ବକ୍ଷ ଥିଲା ଅତି ଭୟଙ୍କର

ଗଭୀର ଜଳରେ କୁମ୍ଭୀର, ମଗର ।

 

ଆନନ୍ଦରେ କରୁଥିଲେ ବିଚରଣ

କରୁଥିଲେ ପଶୁ, ମନୁଷ୍ୟ ଭକ୍ଷଣ ।

ଘଞ୍ଚ ଜଙ୍ଗଲରେ ଭରା ବେନି ତଟ

ଥିଲା ଉତ୍କଳର ଚାରୁ ଚିତ୍ରପଟ ।

 

ଫୁଲନଖରାରୁ ସୋଲରୀର ଧାର

ପ୍ରାଚୀ ତଟିନୀକୁ କରୁଥିଲା ଗେଲ ।

କୁଶଭଦ୍ରା ଆଉ ଭାର୍ଗବୀ ତଟିନୀ

ପ୍ରାଚୀ ଜଳଧାରେ ଥିଲେ ନୀଳବେଣୀ ।

 

ପ୍ରାଚୀର ଉତ୍ପତ୍ତି ରହସ୍ୟ ସକଳ

(କହେ) ସୁଧାକର ପଟ୍ଟନାୟକ ଗେଜେଟିୟର ।

ମଗଧ ରାଜନ ଶ୍ରୀନନ୍ଦ ବର୍ଦ୍ଧନ

ନରାଜ ଠୁଁ କରି ନାଳର ଖନନ ।

 

ଯୋଡ଼ିଥିଲେ ନାଳ ମହାନଦୀ ଧାରେ

ଡାକ ଅମ୍ବା ନାମ ରଖିଥିଲେ ତୀ’ରେ ।

ଚୁଡ଼ଙ୍ଗ ଦୂର୍ଗରୁ ଉତ୍ପତ୍ତି ଏହାର

ବାରଙ୍ଗ ନଦୀର ଥିଲା ଜଳଧାର ।

 

ଏହି ନାଳୁ ହେଲା ପ୍ରାଚୀ ନଦୀ ଜନ୍ମ

ସୋଲ ନଦୀ, କୁଆଖାଇ ନଦୀ ନାମ ।

କହେ ଖଣ୍ଡଗିରି ହାତୀ ଗୁମ୍ଫା ଲିପି

ଖାରବେଳ ଥ୍ରଲେ ପ୍ରାଚୀ ତୀରେ ଥାପି ।

 

ବିଜୟ ପ୍ରାସାଦ ଖୋଦିତ ପ୍ରାଚୀରେ

ସ୍ଥାପିଥିଲେ ନିଜ ରାଜତ୍ୱ କାଳରେ ।

ଶ୍ରୀ ରାଧାଚରଣ କେଦାର ପାତର

ଘନଶ୍ୟାମ ଥିଲେ ଇତିହାସ ବୀର ।

 

ଦିଅନ୍ତି ପ୍ରାଚୀର ଉତ୍ପତ୍ତି ସନ୍ଦେଶ

କହଇ ଏକଥା ତାଙ୍କ ଇତିହାସ ।

ପ୍ରାଚୀ ମହାତ୍ମ୍ୟରେ ବର୍ଣ୍ଣିତ ହୋଇଛି

ବ୍ରହ୍ମା କମଣ୍ଡଳୁ ଜଳୁ ସୃଷ୍ଟି ପ୍ରାଚୀ ।

 

ନିମ୍ନେ ପଡ଼ି ବ୍ରହ୍ମା କମଣ୍ଡଳୁ ଜଳ

ଉପୁଜାଇ ଥିଲା ସରସ୍ଵତୀ ଧାର ।

ସାଗରରେ ପଡ଼ି ମହାଦେବ ରେତ

ତହୁଁ ବାଡ଼ବାଗ୍ନି ହୋଇଥଲା ଜାତ ।

 

ବାଡ଼ବାଗ୍ନି ଡରେ ହୋଇ ଭୟଭୀତ

କଲେକ ପ୍ରାର୍ଥନା ଦେବତା ସମସ୍ତ ।

କରିଲେ ଦେବତା ପ୍ରୟାସ ଅପାର

ଶାନ୍ତ ନୋହିଥିଲା ବାଡ଼ବା ଅନଳ ।

 

ଇନ୍ଦ୍ର ଓ ବରୁଣ, ଅନ୍ୟ ଦେବ ଦଳ

ପ୍ରୟାସ ନ ହେଲା କେବେହେଁ ସଫଳ ।

ଯାଇ ଦେବଗଣ କନକ ପର୍ବତ

ସରସ୍ଵତୀ ନଦୀ କରିଲେ ସାକ୍ଷାତ ।

 

ପାତାଳୁ ପୂର୍ବକୁ ଢାଳି ନିଜ ସ୍ରୋତ

ବହି ଯାଇଥଲା ସରସ୍ଵତୀ ସ୍ରୋତ ।

ପ୍ରବେଶିଲେ ସିଦ୍ଧ ବନେ ବେଗେ ଯାଇ

କପିଳ ମହର୍ଷି ଧ୍ୟାନେ ରତ ଯହିଁ ।

 

ସରସ୍ଵତୀ ପ୍ରାଚୀ ନାମ ହେଲା ଏଠି

କପିଳ ଥାପିଲେ ଶିବଲିଙ୍ଗ ସେଠି ।

ଖ୍ୟାତ ହେଲେ ଶିବ କପିଳଶ୍ଵରରେ

ଯହିଁ ପ୍ରାଚୀ ନଦୀ ମୁକ୍ତି ତୀର୍ଥ ହେଲେ ।

 

ପ୍ରାଚୀଠାରୁ ହୋଇ ଚିତ୍ରୋତ୍ପଳା ଜାତ

ଦକ୍ଷିଣରୁ ପୂର୍ବ ସାଗରେ ମିଳିତ ।

ଅଟେ ବେନି ନଦୀ ଧାର ଅଳ୍ପ ଦୂର

ଚେଳିତୋଳା ପୋତ ଥିଲା ଏହା କୂଳ ।

 

ଅନ୍ୟ ଶାଖା ନଦୀ ଚନ୍ଦ୍ରମୌଳି ଥିଲା

ଲଳିତା ନଦୀଟି ପ୍ରାଚୀରେ ମିଶିଲା ।

 

ଭାରଡ଼ା, କାଦୁଆ, ଚନ୍ଦ୍ରମୌଳି ନଦୀ

ମଣିକର୍ଣ୍ଣିକା ଓ ସୋନ ଉପନଦୀ ।

ଆଠଗୋଟି ଶାଖା ପ୍ରାଚୀରୁ ନିର୍ଗତ

ସାଇଲୋ, କନ୍ଦଳ, କାଦୁଆ ବିଖ୍ୟାତ ।

 

ଜୀଉନ୍ତି, ବନ୍ତଳୀ ପୋଡ଼ା ଅନ୍ୟ ଶାଖା

ଚିତ୍ରୋତ୍ପଳା, ଚନ୍ଦ୍ରମୌଳି ରୂପେ ଦେଖା ।

ବହୁ ଗଣ୍ଡ ଥିଲା ପ୍ରାଚୀ ନଦୀ ଧାରେ

ଭରଡ଼ା, ମଞ୍ଜୁଷା ନାମ ବହିଥିଲେ ।

 

ଅନ୍ୟ ଗଣ୍ଡ ଥିଲେ ବଲରା, ରୋହିଣୀ

ଗୁଆଟୋପା, ବିଶ୍ଵାମିତ୍ର, କୁଳି ପୁଣି ।

ନୈରିଝାଡ଼ା, ବାଲିନସି, ମୁହାଁଣିଆଁ

ଗୁଆଟୋପା, ଚନ୍ଦ୍ର କାନ୍ଥ, ତ୍ରିମୁହାଣିଆଁ ।

 

ଏପରି ଗଣ୍ଡ ତ ଅବସ୍ଥିତ ନାହିଁ

ନଦୀଧାର ଯାଇ ଅଛି ପୋତି ହୋଇ ।

ଦାଳୁଅ କଣି ଓ କେଉଟ ପାଟଣା

ମଧ୍ୟେ ପ୍ରାଚୀ ସାଗରରେ ହେଲା ବଣା ।

 

ଏ ମୁହାଣ କ୍ରମେ ଲୀନ ହେଲାପରେ

ଦିଗ ବଦଳାଇ ପ୍ରାଚୀ ନିଜ ଧାରେ ।

ପୂର୍ବାମୁଖୀ ହୋଇ ଦେବୀ ମୁହାଣରେ

ମିଳିତ ହୋଇଲା ମହୋଦଧି ଜଳେ ।

 

ପ୍ରାଚୀ ନଦୀର ଗତି ଓ ପ୍ରକୃତି

ନମୋନମଃ ପ୍ରାଚୀ ପାପ ବିନାଶିନୀ

ତୀର୍ଥମାନଙ୍କର ମରାଳ ମାଳିନୀ ।

ଗୌରୀ ଚାରୁ ପୂଜ୍ୟା ଦିଗମ୍ବର ସ୍ଥଳୀ

ପ୍ରକୃତି ସୁନ୍ଦରୀ ଶୋଭା ହୃଦ ହାରି ।

 

ଅଟବି କୁସୁମ ମାଳ ବିଳାସିନୀ

ଉତ୍କଳ ଭାରତୀ, ଶାନ୍ତି ପ୍ରଦାୟିନୀ ।

ଉତ୍କଳ ଭାବୁକ ମାନସ ସଦନ

କେତେ ଚାରୁ ସ୍ନିଗ୍ଧ ତୋ ତମାଳ ବନ ।

 

ଉତ୍କଳ- ସୁଷମା-କମଳ କେଶର

ଦୁଇ ପ୍ରାନ୍ତେ ବନ, କୁଞ୍ଜ ମନୋହର ।

ଉତ୍କଳ ପ୍ରକୃତି ଦେବୀ-ଦେବ ସ୍ଥାନ

ମୁନି, ଋଷିଙ୍କର ଧ୍ୟାନ ଯୋଗ୍ୟ ଜାଣ ।

 

ଫୁଲନଖରାର ପୁଷ୍ପ କାମ ଶରେ

ଶତ ଦିଗଙ୍ଗନା ପ୍ରଣୟ ରଚିଲେ ।

ରମ୍ଭା ଓ ମେନକା, ପ୍ରିୟମ୍ବଦା ମିଳି

ପ୍ରାଚୀ କୂଳେ ରଚିଥିଲେ ପ୍ରୀତି କେଳି ।

 

ଉତ୍କଳ ସନ୍ତାନ ସାକ୍ଷାତ କନ୍ଦର୍ପ

ସଖିଙ୍କୁ ମୋହିଲା ତାଙ୍କ ଦିବ୍ୟ ରୂପ ।

ପୀରତି ନିଳୟ ପ୍ରାଚୀ ତଟ ପରେ

ରଚିଲେ ସରାଗେ ବନ ପ୍ରାନ୍ତରରେ ।

 

ନଦୀ, ଶାଖା ନଦୀ ସ୍ଥଳ ବାଲିଅନ୍ତା

ଶୋଡ଼ଶ ଯୋଗିନୀ ଜନତା ନିୟନ୍ତା ।

କବି ଜୟଦେବ ରହି କେନ୍ଦୁବିଲ୍ୱେ

ପିତା, ମାତା ଅଚୀନକ ହରାଇଲେ ।

 

 

ହୋଇ ଏକ ନିଶ୍ଵ ବ୍ରାହ୍ମଣ ବାଳକ

ସ୍ଵପ୍ନାଦେଶେ ପହଞ୍ଚିଲେ ପୁରୀ ଲୋକ ।

ସୁମରିଲେ ରାତି ଦିନ ଜଗନ୍ନାଥ

ଦର୍ଶନ ପ୍ରଭୁଙ୍କ ହୋଇଲା ପ୍ରାପତ ।

 

ଆରମ୍ଭିଲେ ଗୀତଗୋବିନ୍ଦ ଚରିତ

ଏହି ଖଣ୍ଡବାକ୍ୟ ଜଗତେ ବିଦିତ ।

ପ୍ରଭୁଙ୍କ ଆଦେଶେ ପିତା ପଦ୍ମାବତୀ

ଜୟଦେବ ଗୁଣେ ଲଭିଲେ ତୃପତି ।

 

ବିଦୁଷୀ ସୁନ୍ଦରୀ କନିଆଁ ରତନ

ବିପ୍ର ଜୟଦେବେ କଲେ ସମର୍ପଣ ।

ସ୍ଵପନେ ଶୟନେ ଅବା ଜାଗରଣେ

ଜଗନ୍ନାଥ ଥିଲେ ବିପ୍ରଙ୍କ ସ୍ମରଣେ ।

 

ମନ, ଜ୍ଞାନ, ବୁଦ୍ଧି, ଚିନ୍ତନ ବିବେକ

ଦେଉଥିଲେ ଜଗନ୍ନାଥ ଜ୍ଞାନାଲୋକ ।

ସଂସ୍କୃତ ଭାଷାର ସୁଜ୍ଞାନୀ ପଣ୍ଡିତ

ରଚିଥିଲେ ଗୀତଗୋବିନ୍ଦ ଚରିତ ।

 

ଜଗନ୍ନାଥଙ୍କର ପ୍ରିୟ ଗାନ ଏହି

ନିତ୍ୟ ରାତ୍ରକାଳେ ଶୁଣନ୍ତି ସେ ଶୋଇ ।

ପଦ୍ମାବତୀ ସାଜି ନର୍ତ୍ତକୀର ବେଶ

ଗୀତଗୋବିନ୍ଦକୁ କରି ଗୀତି ରସ ।

 

କେନ୍ଦୁବିଲ୍ୱେ ଛନ୍ତି ଅମ୍ବିକା ନୃସିଂହ

ତମ୍ବାପତ୍ର ଦିଅଁ କଟକ ନୃସିଂହ ।

ପ୍ରଦୋଷ ଉଷାରେ ପ୍ରାଚୀ ତୀର ବନ

ଧରେ ସୁଷମାର ମଣି ଦରପଣ ।

 

ଉଷାବାଳା ତପ ପରାଚୀର ତନୁ

ସପ୍ତରଙ୍ଗେ ରଚୁଥିଲା ଇନ୍ଦ୍ରଧନୁ ।

ନିରତ ଯା’ ନୀର ନୀଳ ପରିଷ୍କାର

ଶୋଭା ପାଉଥିଲ ବନାନୀ ଶ୍ୟାମଳ ।

 

ଶିଶୁ ସଙ୍ଗେ ରହି କୁରଙ୍ଗ(ମୃଗ, ହରିଣ) ଦମ୍ପତ୍ତି

ବାଲି ସ୍ତୁପ ପରେ ସରାଗେ କ୍ରୀଡ଼ନ୍ତି ।

ନିଃସଙ୍ଗରେ ଗୁଡ଼ କଙ୍କ ଯହିଁ ଉଡ଼େ

ନଦୀ ପଠା ଶୋହେ କାଶତଣ୍ଡୀ ଜଡ଼େ ।

 

ପ୍ରାଚୀ ତଟ ଚିର ଶାନ୍ତ, ସୌମ୍ୟ ସୃତି

ଉତ୍କଳ ଭାବୁକ ମାନସ ସମ୍ପତ୍ତି ।

ଉତ୍କଳ କମଳା ସୁଷମା ମନ୍ଦିର

ପ୍ରକୃତି ସୁନ୍ଦରୀ ତୁହି ଗନ୍ତାଘର ।

 

ସୁନ୍ଦର ଗ୍ରାମରେ ସୁନ୍ଦରୀ ଉତ୍ତମ

ପ୍ରାଚୀ ନଦୀ କୂଳେ ଶୋଭା ମନୋରମ ।

ଲଳନା ସୁନ୍ଦରୀ ପୁଷ୍କରିଣୀ ଜଳେ

ଜଳକ୍ରୀଡ଼ା ରଚୁଥିଲେ କୁତୁହଳେ ।

 

ସ୍ଵପ୍ନେଶ୍ଵର ପୁଷ୍କରିଣୀ ନାମ ତା’ର

ବିଶାଳ ପବିତ୍ର ଜଳ ସୁନିର୍ମଳ ।

ଗ୍ରାମ ମଧ୍ୟସ୍ଥଳେ ଗତିଶ୍ୱର ଶିବ

ପ୍ରାଚୀନ ମନ୍ଦିରେ ନାହିଁ ମହାଦେବ ।

 

ସ୍ଵପ୍ନେଶ୍ଵର ନାମେ ସେ ଥିଲେ ପ୍ରସିଦ୍ଧ

ଭଗ୍ନାଂଶ ଅଛଇ ମୃତ୍ତିକା ଆବଦ୍ଧ ।

ବିଳାଶୁଣୀ ଗ୍ରାମେ ବରାହୀ ମନ୍ଦିରେ

ପୂଜିତା ଏ ଦେବୀ ମନ୍ଦିର ଭିତରେ ।

 

କୀରତି ବହୁଳ ସେ ବାଗଲପୁର

ବୁଦ୍ଧ, ବିଷ୍ଷୁ, ଶିବ ତ୍ରିବିକ୍ରମପୁର ।

ଦକ୍ଷିଣଶ୍ଵରର ମନ୍ଦିର ଗାତ୍ରରେ

ଗଣେଶ ପାର୍ବତୀ ଛନ୍ତି ପାର୍ଶ୍ଵ ଘରେ ।

 

ଏ ପାର୍ଶ୍ଵରେ ଅଛି ନଡ଼ିଆ ଗୋରଡ଼ା

ଚାଲେ ପୂଜା ପର୍ବେ ଶ୍ରୀଫଳ ଆଖଡ଼ା ।

ପ୍ରକୃତି ସୁନ୍ଦରୀ ସ୍ଥାନ ମନୋରମ

ସିଦ୍ଧେଶ୍ଵର ମହାଦେବ ବିଜେ ସ୍ଥାନ ।

 

କାଳ କବଳରେ କବଳିତ ହୋଇ

କର୍ଦ୍ଦମେ ଆବୃତ ମନ୍ଦିରଟି ତହିଁ ।

କଣ୍ଟାପଡ଼ା ଗ୍ରାମ ଇତିହାସେ ଖ୍ୟାତ

ବହୁ କ୍ଷୁଦ୍ର ଗ୍ରାମ ପାଶେ ବିରାଜିତ ।

 

ଶିଶୁଆ ଗ୍ରାମରେ ଗତିଶ୍ଵର ଶିବ

ବିଶାଳ ମୂରତି ତ୍ରିବିକ୍ରମ ଦେବ ।

ବିଷ୍ଣୁ ଭକ୍ତଗଣ ଭକ୍ତି ପୁଷ୍ପମାଳେ

ପୂଜନ୍ତି ଦେବଙ୍କୁ ମନ୍ଦିର ମଧ୍ୟରେ ।

 

ଭଇରବ ମୂର୍ତ୍ତି କ୍ଷେତ୍ରପାଳ ନାମେ

ବିରାଜିତ ଏବେ ବୃକ୍ଷ ଛାୟା ଧାମେ ।

ଚର୍ତୁହସ୍ତା ଦୁର୍ଗା ବିଳାଶୁଣି ଗ୍ରାମେ

ସପ୍ତସର୍ପ ବିମଣ୍ଡିତା ଚଣ୍ଡୀ ନାମେ ।

 

ହସ୍ତେ ଧରି ମାଳା ଦକ୍ଷିଣେ ଅଭୟ

ମୁଦ୍ରାଙ୍କ ଦର୍ଶନେ ଉପୁଜଇ ଭୟ ।

ସୋମନାଥ ଶିବ ବାଲୁଙ୍କେ ଈଶ୍ଵର

ପୂଜା ପାଉଛନ୍ତି ପ୍ରାନ୍ତର ମଧ୍ୟର ।

 

କୁଅନାରା ଗ୍ରାମ ପ୍ରାଟୀ ତଟ ପରେ

ବିଷ୍ଣୁ ତହିଁ ଦଧିବାମନ ରୂପରେ ।

ଭଗ୍ନ ମନ୍ଦିରରେ ପୂଜା ପାଉଛନ୍ତି

ତାଙ୍କ ଦୁଃଖ ଗ୍ରାମବାସୀ ନ ବୁଝନ୍ତି ।

 

ଦେବ ପୂଜା ଯେଉଁ ସ୍ଥାନରେ ଚାଲଇ

ଦେବ ଯୋଗ୍ୟ ଭୂମି ଏବେ ସେ ନୁହଁଇ ।

କଣ୍ଟାପଡ଼ା ଆଉ ପାର୍ଶ୍ଵବର୍ତ୍ତୀ ଗ୍ରାମ

ପୂର୍ବେ ଥିଲା ପ୍ରାଚୀ ତୀରେ ଦିବ୍ୟସ୍ଥାନ ।

 

ଢେଙ୍କାନାଳ ରାଣୀ ତ୍ରିଭୁବନ ଦେବୀ

ସ୍ଥାପିଥିଲେ ଚତୁର୍ଭୁଜା ମହାଦେବୀ ।

ଶିବ, ବିଷ୍ଣୁ ଦେବ ଛନ୍ତି ଏହି ସ୍ଥାନେ

ସ୍ଥାପି ଯଶ ଅରଜିଲେ ନିଜ ନାମେ ।

 

କର୍ପୂର ଉଡ଼ିଛି କନା ପଡ଼ିଅଛି

ଲବ୍ଧ ତମ୍ବାପତ୍ର ଏ କଥା କହୁଛି ।

( ଭୁବନେଶ୍ୱର ମ୍ୟୁଜିୟମରେ ସଂରକ୍ଷିତ)

କଣ୍ଟାପଡ଼ାଠାରୁ ଚାରି କୋସ ଦୂରେ

ଗୁପ୍ତଗଙ୍ଗା ତୀର୍ଥ ଅଛଇ ଏଠାରେ ।

 

ବନବାସ କାଳେ ପାଣ୍ଡବ ଗୁପତେ

ଆସିଥିଲେ ଦିନେ ନିଜ ଗୁପ୍ତ ପଥେ ।

ଗୁପତ ମଣିକା ତୀର୍ଥେ ଅବଗାହୀ

ଏହି ଗ୍ରାମେ ଥିଲେ କିଛିଦିନ ରହି ।

 

ପୂଜିଥିଲେ ବିଷ୍ଣୁ ଆଣ୍ଠୁଆ ଗୋପାଳ

ଗଜଲକ୍ଷ୍ମୀ ଗଳେ ଦେଇ ପଦ୍ନମାଳ ।

ନମିଥିଲେ ଜଗନ୍ନାଥଙ୍କ ପୟର

ଏ କଥା କହଇ ପ୍ରାଚୀ ସମାଚାର ।

 

ବେନି ମଥା ଧାରୀ ଭୈରବ ଦେବତା

କ୍ଷେତ୍ରପାଳ ରୂପେ ଥିଲେ ସମରଥା ।

ପୁଷ୍କରିଣୀ ତଟେ ତୀର୍ଥ ମଠ ଥାଇ

ଦେବଦେବୀଙ୍କର ପୂଜା ଚାଲେ ଯହିଁ ।

 

ଏ ସ୍ଥାନ ଭ୍ରମଣେ ପ୍ରାଚୀ କୀର୍ତ୍ତିରାଜି

ଦେଖି ମନ ପ୍ରାଣ ରହିଥାଏ ମଜ୍ଜି ।

ପ୍ରାଚୀ ପୂର୍ବ ତଟେ ସେ ଅଡ଼ଶପୁର

ପ୍ରତ୍ନତତ୍ତ୍ୱ କୀର୍ତ୍ତି ବିଶେଷ ମଞ୍ଜୁଳ ।

 

ସ୍ଵପ୍ନେଶ୍ଵର ମହାଦେବ ପୀଠ ଯହିଁ

ବୃଷଭ ନାଥଙ୍କ ଉପସ୍ଥିତି ତହିଁ ।

ଶୈବ ପୀଠ ସ୍ଥଳେ ମାଧବ ମନ୍ଦିର

ସାକ୍ଷ୍ୟ ଦେଇଥାନ୍ତି ଭକ୍ତଜନଙ୍କର ।

 

ମାଧବାନନ୍ଦ ଏ ସ୍ଥଳରେ ରହି

ଭକତଙ୍କୁ ଭକ୍ତି ପଥ ଦ୍ୟନ୍ତି କହି ।

ବୁଢ଼ୀ ଠାକୁରାଣୀ ଦକ୍ଷିଣ ଦିଗରେ

ଦଶଭୂଜା ଦୁର୍ଗା ଖ୍ୟାତ ସଂସାରରେ ।

 

ବରାହ ନୃସିଂହ ପୀଠ ମନୋରମ

ଚାରୁକଳା ମୋହେ ଦର୍ଶକଙ୍କ ମର୍ମ ।

ମନ୍ଦିର ଗାତ୍ରର ଦିବ୍ୟ ଚିତ୍ରପଟ

ନାଗ- ନାଗୁଣୀଙ୍କ ପୀରତି ଉତ୍କଟ ।

 

ତ୍ରିବେଣୀ ଘାଟରେ ତିନି ନଦୀ ଭେଟ

ମାଘ ଅମାବାସ୍ୟା ହୋଇଲେ ନିକଟ ।

ହଜ଼ାର ହଜାର ତୀର୍ଥ ଯାତ୍ରୀ ଯାଇ

ପୁଣ୍ୟ ବେଳେ ସ୍ନାନ କରୁଥିଲେ ତହିଁ ।

 

ପ୍ରାଚୀ, ସରସ୍ୱତୀ, ମଣିକରନିକା (ମଣିକର୍ଣ୍ଣିକା)

ଏ ପବିତ୍ର ସ୍ଥଳେ ଥିଲେ ତିନି ସଖା ।

ଅଛି ପ୍ରାଚୀ, ମଣିକରନିକା ସ୍ଥିତି

ସରସ୍ଵତୀଙ୍କର ଘଟିଛି ଦୂର୍ଗତି ।

 

ପାଶେ ଥାଇ ଏକ ମଠର ମନ୍ଦିର

ଅନ୍ତର୍ଯ୍ୟାମୀ ପୂଜା ପାଆନ୍ତି ଏଠାର ।

ଦକ୍ଷିଣ ପଟରେ ପ୍ରଭୁ ଲୋକେଶ୍ଵର

ବନବାସେ ରାମ ଥାଇ ଏହି ସ୍ଥଳ ।

 

ଥାପିଥିଲେ ମହାଦେବ ଲୋକେଶ୍ଵର

ଶୁଣାନ୍ତି ଏ କଥା ପୂଜକ ପ୍ରବର ।

ତ୍ରିବେଣୀ ଘାଟରେ ଗୋକର୍ଣ୍ଣେଶ୍ଵର

ଦ୍ଵାଦଶ ଶମ୍ଭୁରେ ଦ୍ୱିତୀୟ ନମ୍ବର ।

 

ଅଷ୍ଟ ଶମ୍ଭୁରେ ମଧ୍ୟେ ପ୍ରଥମ ଅଟନ୍ତି

ବ୍ରହ୍ମହତ୍ୟା ପାପ ଏ ଶମ୍ଭୁ ନାଶନ୍ତି ।

ବାଲିପାଟଣାର ଭୋଅପୁର ଗ୍ରାମେ

ମନ୍ଦିର ଅଛଇ ବିଲ୍ଵେଶ୍ଵର ନାମେ ।

 

ମନ୍ଦିର ସମ୍ମୁଖେ ଚତୁର୍ମୁଖୀ ବ୍ରହ୍ମା

ଛନ୍ତି ବିରାଜିତ ବିଷ୍ଣୁଦେବ ଉମା (ପାର୍ବତୀ) ।

ଅଟଇ ପବିତ୍ର ମହାନ ଏ ସ୍ଥାନ

ଜୟଦେବ କରି ଏ ସ୍ଥାନେ ସ୍ନାହନ ।

 

ଲଭିଥିଲେ ଦିବ୍ୟଜ୍ଞାନ ବୁଦ୍ଧି ଆଉ ବଳ

ଗୀତଗୋବିନ୍ଦଟି ଥିଲା ମହାପୁଣ୍ୟ ଫଳ ।

ପ୍ରାଚୀ ଦକ୍ଷିଣରେ ଶିରିରାମ ପୁରୁ

ପାଣ୍ଡବେ ଅଇଲେ ହସ୍ତିନା ପୁରରୁ ।

 

ପାଣ୍ଡବ କୁଞ୍ଜର ଅରଣ୍ୟ ଭିତରେ

ଛଦ୍ନବେଶେ ରହି ଦିନ କାଟିଥିଲେ ।

ବନ, ନଦୀ, ନାଳ ଶସ୍ୟ କେଦାରରେ

ରମ୍ୟ ଗ୍ରାମ ଏହି ପ୍ରାଚୀ ନଦୀ ତୀରେ ।

 

କବି ରାଧାନାଥ ପ୍ରକୃତି ସେବକ

ଅବଲୋକି ଥିଲେ ନିଆଳୀ ଭୂଲୋକ ।

ପାଟଳୀ ପ୍ରସୂନ ନାମ ଦେଲେ ଭାବି

ନିଆଳୀ ଆକାଶ ପ୍ରାତଃ, ଅସ୍ତ ରବି ।

 

ପ୍ରାଚୀ ନଦୀ ନୀର ସ୍ଵଚ୍ଛ ଦରପଣେ

ଦେଖୁଥିଲେ ମୁଖ ଆହ୍ଲାଦିତ ମନେ ।

ଅଟପୀ, ବିଟପୀ ଚ୍ୟୁତ ମୁଚୁକୁନ୍ଦ

ବନଲତା କୁଞ୍ଜ ଦିଅନ୍ତି ଆନନ୍ଦ ।

 

ବ୍ରହ୍ମା, ବିଷ୍ଣୁ, ଶିବ ଶକ୍ତିପୀଠ ଯହିଁ

ନିଆଳୀ ଗୌରବ ଗାଥା ଥାଏ କହି ।

ଅଷ୍ଟଭୁଜା ଦୁର୍ଗା ଚାମୁଣ୍ଡା ରୂପରେ

କାପାଳିକ ଲୋକ ତାଙ୍କୁ ପୂଜୁଥିଲେ ।

 

ପ୍ରତ୍ନତତ୍ତ୍ୱ ପୀଠ ସୁଭବ ଈଶ୍ଵର ( ଶୁଭନେଶ୍ଵର)

ଶିବ ପୂଜା ପାନ୍ତି ମନ୍ଦିର ଭିତର ।

ଚାରୁକଳା ପାଇଁ ମନ୍ଦିର ବିଖ୍ୟାତ

ରେଖା ପରେ ଉଭା ଦିବ୍ୟ ସ୍ଵପ୍ନରଥ ।

 

ଏ ବିଷ୍ଣୁ କାର୍ତ୍ତିକେୟ ପାର୍ବତୀ ମନ୍ଦିର

କାଳ-ବିକାଳ, ଚାମୁଣ୍ଡା ଆଦିମୂଳ ( ଜଗନ୍ନାଥ) ।

ସୂର୍ଯ୍ୟ ଅଜୟକ, ବରାହ, ମାଧବ

ଅଙ୍ଗନେ ବିରାଜମାନ ଅଷ୍ଟଶିବ ।

 

ଉତ୍କଳ ପ୍ରସିଦ୍ଧ ନିଆଳୀ ଶାସନ

ଗଙ୍ଗରାଜା ଅଭିଲେଖ ବିଦ୍ୟମାନ ।

ଉଦୟନଙ୍କର ଅଭିଲେଖମାନ

ନିଆଳୀ ଶାସନେ ଥିଲା ବିଦ୍ୟମାନ ।

 

ନିତ୍ୟ ଦେବଦାସୀ ନାଟ୍ୟ ମଣ୍ଡପରେ

ଶିବ ତୃପ୍ତି ପାଇଁ ନୃତ୍ୟ କରୁଥିଲେ ।

କୀରତି ମାଳିନୀ ନିଆଳୀ ଅଞ୍ଚଳ

ସଭ୍ୟତା ଗଠନେ ଥିଲା ଅଗ୍ରସର ।

 

ସଦାକାଳେ ଥିଲା ଉତ୍ସବ ମୁଖର

ସିଂହସାହୀ ଅଟେ ବୀରଙ୍କର ଘର ।

ପାଞ୍ଚ କ୍ରୋଶ ଦୂରେ ନିଆଳୀ ଗ୍ରାମରେ

ବିଦ୍ୟମାନ ଅଛି ସେ ଜଲାଲପୁରେ ।

 

ଶିବ ମହାଶମ୍ଭୁ ନାମରେ ପୂଜିତ

ରହି ସଦାକାଳ ମନ୍ଦିରର ଗାତ୍ର ।

ଚତୁର୍ଦ୍ଦିଗେ ବନ, ବିତାନ ବିସ୍ତୃତ

ପନସ, ପୁନାଙ୍ଗ ବେତସ ଓ ଚ୍ୟୁତ ।

 

ପ୍ରାଚୀ ନଦୀ ତଟେ ଦକ୍ଷିଣ ପାର୍ଶ୍ଵରେ

ଖଣ୍ଡା (କୁଠାର), ଜପମାଳା ଧରି ସଗର୍ବରେ ।

ବାମହସ୍ତେ ପାର୍ଶା, ମାଳା ବିଦ୍ୟମାନ

ମାନସା ମୂରତି ବସି ପଦ୍ମାସନ ।

 

ମାର୍ଚ୍ଚିକେଇ ନାମେ ପୂଜିତା ଏ ଗ୍ରାମେ

ବିଖ୍ୟାତ ଏ ଦେଶ ଗ୍ରାମଦେବୀ ନାମେ ।

ବନ ପ୍ରକୃତିର ଶୋଭାରେ ଉତ୍ତମ

ଜଲ୍ଲାର ପୁରର ଶୋଭା ମନୋରମ ।

 

ସୋମନାଥ ଶମ୍ଭୁ ମନ୍ଦିର ଏ ସ୍ଥାନ

ପୂଜିତ ହୁଅନ୍ତି ଥାଇ ଏହି ଗ୍ରାମ ।

ରାମେଶ୍ଵର ଛନ୍ତି ଟୋଲା ଗ୍ରାମ ପରେ

ପଞ୍ଚମୁଖୀ ଶିବ ଦକ୍ଷିଣ ହସ୍ତରେ ।

 

ପ୍ରାଚୀ ତଟିନୀର ଉତ୍ତର ପାର୍ଶ୍ଵରେ

(ବିଦ୍ୟମାନ) ଲକ୍ଷ୍ମୀ ଓ ନୃସିଂହ ନୂଆ ପାଟଣାରେ ।

ଭଗ୍ନ ମନ୍ଦିରଟି ବାଲି ପ୍ରସ୍ତରରେ

ଗଢ଼ା ଯାଇଥଲା ଗଙ୍ଗ ରାଜ କାଳେ ।

 

ମନ୍ଦିର ନିର୍ମାଣ ଗଠନର ଶୈଳୀ

ଅଟେ ଚଉରାଶି ବରାହୀଙ୍କ ଭଳି ।

ତ୍ରିବିକ୍ରମ ଆଉ ବରାହର ମୂର୍ତ୍ତି

ମନ୍ଦିର ଗାତ୍ରରେ ଶୋଭା ପାଉଛନ୍ତି ।

 

ଅଷ୍ଟ ହସ୍ତ ଧନୁ, ଖଡ୍ଗ ଚକ୍ର କରେ

ମୁଷଳ ଓ ଗଦା, ଧନୁ ବାମ କରେ ।

ଦିବ୍ୟ, ସାମ୍ୟ, ଶାନ୍ତ ପ୍ରଭୁ ନାରାୟଣ

ପାର୍ଶ୍ଵେ ବିରାଜିତ ଗରୁଡ଼ ବାହନ ।

 

ଏପରି ମୂରତି ଷଷ୍ଠ ଶତାବ୍ଦୀର

ଦକ୍ଷିଣ, ପୁରୁବ ଛନ୍ତି ଭାରତର ।

ଏପରି ବର୍ଣ୍ଣନ ବୃହତ୍‌ସଂହିତା

ଦେଇଥାଏ ମୂର୍ତ୍ତି ରହସ୍ୟର ବାର୍ତ୍ତା ।

 

କଳକଳ ପ୍ରାଚୀ ନିରିମଳ ଜଳ

ପ୍ରାନ୍ତେ ଶୋଭା ପାଏ ଫସଲ ଶ୍ୟାମଳ ।

ପ୍ରାତଃ ପ୍ରଦୋଷରେ ବିହଙ୍ଗଙ୍କ ସ୍ଵନ

ହରେ ଦର୍ଶକଙ୍କ ହୃଦୟ, ନୟନ ।

 

ଚ୍ୟୁତ, ନାରିକେଳ, ପୁନାଙ୍ଗର ବନ

କନିଅର, ଚମ୍ପା, ନାଗେଶ ପ୍ରସୂନ ।

ଅଟବି, ବିଟବି, ମାଳତୀ ଅରବି

ବାସେ ମହକଇ ବନଭୁଇଁ ଶୋଭି ।

x      x      x      x

ପ୍ରାଚୀ ପୂର୍ବତଟେ ମାଧବଙ୍କ ସ୍ଥଳ

ଅତି ମନୋରମ ମାଧବ ମନ୍ଦିର ।

ତେର ଶତାବ୍ଦୀର ଗଙ୍ଗବଂଶ ରାଜା

ସ୍ଥାପିଲେ ମନ୍ଦିର ମାଧବଙ୍କ ତାଜା ।

 

ବିଷ୍ଣୁଙ୍କର ମୂର୍ତ୍ତି ଶ୍ରୀମାଧବାନନ୍ଦ

ଗରୁଡ଼ ମୂରତି ଦିଏ ବ୍ରହ୍ମାନନ୍ଦ ।

କୀରତି ଗରୁଡ଼ ଅତି ମନୋହର

ମିଳେନି ଏ ମୂର୍ତ୍ତି କାହିଁ ଓଡ଼ିଶାର ।

 

ଦୁର୍ଗାଦେବୀ ଯେଣୁ ଅଛନ୍ତି ପାର୍ଶ୍ଵର

ଦୁର୍ଗା-ମାଧବଙ୍କ ପ୍ରସିଦ୍ଧ ଏ ସ୍ଥଳ ।

ସପ୍ତ ରଥାକୃତି ମନ୍ଦିର ଗଠନ

ପାର୍ଶ୍ଵ ଦେବତାଙ୍କ ତହିଁ ଅଛି ସ୍ଥାନ ।

 

ଜଗମୋହନର ସମ୍ମୁଖ ଭାଗରେ

ନାଗ ମୂର୍ତ୍ତିମାନ ସ୍ଥାପିତ ଯତ୍ନରେ ।

ନରନାରାୟଣ ଗଭୀର ଦର୍ପରେ

ବିରାଜିତ ଦିଗପାଳ ଏ ସ୍ଥାନରେ ।

 

ମନ୍ଦିର ଉର୍ଦ୍ଧ୍ୱରେ ସୁଦର୍ଶନ ଚକ୍ର

ଥାପିଥିଲେ ପୂର୍ବେ ଗଙ୍ଗ ନୃପ ଲୋକ ।

ମାଳତୀ, ତମାଳ, ନାଗେଶ୍ୱର ଫୁଲ

ନିଆଳୀ, ପାଟଳୀ, ପୁନାଙ୍ଗ, ବକୁଳ ।

 

ଧବ, ଖଦିର, କୁରୁବକ, ଅଶୋକ

ବନ, ଲତା, ଗୁଳ୍ମ ଅଛନ୍ତି ଅନେକ ।

ତନ୍ନଧ୍ୟରେ ଥାଇ ବରାହ, କୁରଙ୍ଗ

ମୃଗ ଯୁଥ ସାଥେ ବିଶାଳ ବିହଙ୍ଗ ।

 

ଅଳକାପୁରୀର ଶୋଭାକୁ ବଢ଼ାନ୍ତି

ଭକତ ଦର୍ଶକ ଶୋଭା ବିଲୋକନ୍ତି ।

ହଜାର ହଜାର ଯାତ୍ରୀ ଦଳ ଆସି

ମାଧବ ଯାତ୍ରାରେ ଆସ୍ଥାନ ଜମାନ୍ତି ।

 

ମାଧବାନନ୍ଦଙ୍କ ଚଳନ୍ତି ପ୍ରତିମା

ଦୋଳଯାତ୍ରା କାଳେ କରି ପରିକ୍ରମା ।

ମିଳନ୍ତି ରାଧାଙ୍କୁ ସଭାମଣ୍ଡପରେ (ତୁଳସୀପୁର)

ବନ୍ଦେଶ୍ଵର, ଅମରେଶ୍ଵରଙ୍କ ସାଥୀରେ ।

 

ଫାଲ୍‌ଗୁନ ମାସ ଶୁକ୍ଲ ଚତୁର୍ଥୀରେ

ଚାରି ଦୋଳଯାତ୍ରା ହୁଏ ମଣ୍ଡପରେ ।

ଜଗନ୍ନାଥଙ୍କର ମାଧବାନନ୍ଦ ମାମୁଁ

ଆଦର ପାଆନ୍ତି ସଦା ପୁରୀ ଧାମୁ ।

 

ବୁଦ୍ଧେଶ୍ଵର ଶିବ ମାଧବ ବେଢ଼ାରେ

ବିରାଜିତ ଏକ କ୍ଷୁଦ୍ର ମନ୍ଦିରରେ ।

ଭକ୍ତଜନ ଶିବ ଦରଶନ ଅନ୍ତେ

ମାଧବ ଭେଟନ୍ତି ଭକ୍ତିପୂର୍ଣ୍ଣ ଚିତ୍ତେ ।

 

ମୁକତି ଲଭନ୍ତି ଏ ଧରା ଧାମରୁ

ସରଗେ ଗମନ୍ତି ବିଷ୍ଣୁକୃପା ଫଳୁ ।

କହଇ ପୁରାଣ ମାଧବ କାହାଣୀ

ଶ୍ରୀଲଙ୍କା ଦେଶରୁ ତାଙ୍କ ମୂର୍ତ୍ତି ଆଣି ।

 

ସ୍ଥାପିଲେ ମାଧବ ଗ୍ରାମ ପ୍ରାଚୀ କୂଳେ

ଶିରିରାମଚନ୍ଦ୍ର ତ୍ରେତୟା ଯୁଗରେ ।

କରିଥିଲେ ପଞ୍ଚପାଣ୍ଡବ ଭ୍ରମଣ

ପ୍ରାଚୀ ତଟ ଏହି ମାଧବଙ୍କ ଧାମ ।

 

ବନବାସ କାଳେ ପାଣ୍ଡବ ନନ୍ଦନ

ଭ୍ରମି ମାଧବର ରମ୍ୟ ଉପବନ ।

କାଳ ବିତାଇଲେ ରହି ବିଷ୍ଣୁ ଧାମେ

ଗୁପତ ବେଶରେ ବ୍ରାହ୍ମଣଙ୍କ ନାମେ ।

 

( ଯୁଧିଷ୍ଠିର) ଭ୍ରାତାଙ୍କ ଆଦେଶେ ଭୀମ ବୀରବର

ବେଗେ ଚଳିଗଲେ ପ୍ରାଚୀ ନୀରଧାର ।

କାଳଭୈରବୀଙ୍କୁ ପ୍ରାଚୀ ତଟିନୀରୁ

ଉଦ୍ଧାର କରିଲେ ଦାନବ କବଳୁ ।

 

ସ୍ଥାପନ କରିଲେ ପ୍ରାଚୀ ତଟ ପରେ

ପୂଜିଲେ ପାଣ୍ଡବ ଭକ୍ତିପୂତ ଜଳେ ।

ଏକଥା ଜାଣିଣ ଦୁଷ୍ଟ ଦୂରାଚାର

ଅକାଳ ପ୍ରଳୟ କରିଲେ ବାହାର ।

 

ବୃକ୍ଷ, ଲତା, ଗୃହ ହେଲା ଶମଶାନ

ଯେସନେ ପ୍ରଳୟେ ଧରା କମ୍ପମାନ ।

ନର ନାରୀ ଧାଇଁ ପରାଣ ଆତୁରେ

ପାଞ୍ଚ ପାଣ୍ଡବଙ୍କୁ ଯାଇଣ ମିଳିଲେ ।

 

ଜଣାଇଲେ ଦୁଃଖ, ଦୁର୍ଦ୍ଦଶା ତାଙ୍କର

ତପ ବଳେ ଜାଣି ଯୁଧିଷ୍ଠିର ବୀର ।

ଏପରି ତାଣ୍ଡବ ଦୁଷ୍ଟ ଦାନବର

ମିଳିଲେ ତାହାଙ୍କୁ ଅଗ୍ରଜ ପ୍ରବର ।

 

ଦାନବ ପ୍ରବର ଅତି ବଳିଆର

କହିଲା କୋପରେ ପାଣ୍ଡବ ସକଳ ।

ଜଳେ ରଖୁଥିଲା ତା’ କାଳ ଭୈରବୀ

ପୂଜୁଥିଲା ନିତି ଇଷ୍ଟଦେବୀ ଭାବି ।

 

ତା’ ପୂଜାରେ ଯେଣୁ ହୋଇଛି ବ୍ୟାଘାତ

ସେ ନେଇ ଦାନବ କରୁଛି ଉତ୍ପାତ ।

ଧର୍ମରାଜ ଯୁଧିଷ୍ଠିର ମଧୁ ଗିର

ତୋଷିଲେ ହୃଦୟ ଦୃଷ୍ଟ ଦାନବର ।

 

ଚାମୁଣ୍ଡାଙ୍କ ପୂଜା ଏପରି ବିଧିରେ

ହୁଏ ନାହିଁ ରଖି ନଦୀ ଗରଭରେ ।

ଏଣୁ ସ୍ଥଳ ଭାଗେ ତାଙ୍କରି ନିର୍ଦ୍ଦେଶେ

ସ୍ଥାପିତ ଭୈରବୀ ପ୍ରାଚୀ ତୀର ଦେଶେ ।

 

ଶୁଣିଣ ପାଣ୍ଡବ ମଧୁର ବଚନ

ତୋଷ ହେଲା ହୃଦ ଦାନବ ନନ୍ଦନ ।

ପ୍ରାଚୀର ଉତ୍ତର ପାର୍ଶ୍ୱେ ଏକ ଗ୍ରାମ

ପିତାପଡ଼ା ନାମେ ବିଦିତ ୟା’ ନାମ ।

 

ବକୁଳ, କପିଥ, ଚ୍ୟୁତ, ନାରିକେଳ

ବନରାଜି ଶୋହେ ଏ ଦିବ୍ୟ ଗ୍ରାମର ।

ପ୍ରାଚୀ ପୂତ ଜଳେ ଏ ବନ ସ୍ଥଳରେ

ଦେବତା, ମାନବ, ନରାଧୀଶ ବୀରେ ।

 

ସ୍ନାନ ସମାପନ ପରେ ଜଳଦାନ

କରୁଥିଲେ ପିତୃଦେବଙ୍କୁ ଅର୍ପଣ ।

ପୂଜୁଥିଲେ ଭକ୍ତି, ଶୁଦ୍ଧପୂତ ମନେ

ଏ ତୀର୍ଥର ଜଳେ, ଏହି ପୂତ ଗ୍ରାମେ ।

 

ଏଣୁ ଗ୍ରାମ ନାମ ପିତାପଡା ଜାଣ

ଏ ତଥ୍ୟ ବଖାଣେ ପରାଚୀ ପୁରାଣ ।

ଅଙ୍ଗେଶ୍ଵର ଶିବ ମନ୍ଦିର ଏ ସ୍ଥଳେ

ଦ୍ଵାଦଶ ଶମ୍ଭୁରେ ଖ୍ୟାତ ପ୍ରାଚୀ କୂଳେ ।

 

ବିଧ୍ଵସ୍ତ ଐଶ୍ଵର୍ଯ୍ୟ ମଧ୍ୟ ଧରି ଧୈର୍ଯ୍ୟ

ଅଙ୍ଗେଶ୍ଵର ଦେବ ବିରାଜିତ ଆଜ ।

ମୁଖଶାଳା ନାଟ୍ୟ ମନ୍ଦିର ବିଧ୍ଵସ୍ତ

ମୁଖ୍ୟ ମନ୍ଦିରଟି ଏବେ ବିରାଜିତ ।

 

ଅଷ୍ଟଭୂଜା ଦୁର୍ଗା ଚାମୁଣ୍ଡା ରୂପରେ

ପୂଜିତ ହୁଅନ୍ତି ମନ୍ଦିର ପ୍ରାନ୍ତରେ ।

ବିଷ୍ଣୁ ନବଗ୍ରହ ତହିଁ ବିରାଜିତ

ବିଷ୍ଣୁ ମନ୍ଦିରଟି ଏବେ ତ ବିଧ୍ଵଂସ୍ତ ।

 

ପ୍ରାଚୀ ତଟିନୀର ଦକ୍ଷିଣ କୂଳରେ

ଚତୁଃଗଣଦେବ ଭଗ୍ନ ଚାଳଘରେ ।

କୁତାମ ଚଣ୍ଡିର ନାମେ ଲୋକେ ଖ୍ୟାତ

ଭକ୍ତିଭରେ ଜନ ମଣ୍ଡଳେ ପୂଜିତ ।

 

ମାଘମାସ ଅମାବାସ୍ୟା ଦିନ ଏଠି

ନର-ନାରୀ ସ୍ନାନ ଏ ସ୍ଥାନେ କରନ୍ତି ।

ମଣିକର୍ଣ୍ଣିକାର ତୀର୍ଥ ନାମେ ଖ୍ୟାତ

ତହିଁ ଉତ୍ତରବାଣୀ ମଠ ଅବସ୍ଥିତ ।

 

ଅଙ୍ଗ ଦେଶ ରାଜା ଆସି ଏ ସ୍ଥାନର

ପୂଜିଥିଲେ ଶିବ ପାଇବାକୁ ବର ।

କର୍ଣ୍ଣ ମହାବୀର ଶୁଣି ଏହା ଖ୍ୟାତି

ଧାଇଁ ଆସିଥିଲେ ପ୍ରାଚୀ ତୀର କତି ।

 

ପ୍ରାଚୀ ପୂଣ୍ୟ ନୀରେ କରିଣ ସ୍ନାହାନ

କରିଥିଲେ ବସି ଜପ, ତପ, ଧ୍ୟାନ ।

ତିନୋଟି ଅଞ୍ଜଳି ଜଳ ଦେଇ ଦାନ

ପିତୃ ପୁରୁଷଙ୍କ ଦେଇ ପିଣ୍ଡ ଦାନ ।

 

ଅଙ୍ଗେଶ୍ଵର ଅଷ୍ଟଶମ୍ଭୁ ମଧ୍ୟେ ଗଣା

ଚତୁର୍ଥ ଶମ୍ଭୁରେ ଇତିହାସେ ଜଣା ।

ଅଙ୍ଗେଶ୍ଵର ଶିବ ପିତୃ ତୀର୍ଥେ ବିଜେ

ବିଜେସ୍ଥଳୀ ନାମ ପିତାପଡ଼ା ସାଜେ ।

 

ନମଇ ବନ୍ଦର ସ୍ଥାନର ଈଶ୍ଵର

ବନ୍ଦେଶ୍ଵର ନାମେ ଖ୍ୟାତ ଉତ୍କଳର ।

ପ୍ରକୃତି ସୁନ୍ଦରୀ ତହିଁ ମନୋରମ

ବୃକ୍ଷ, ଲତା, ବନେ ସ୍ଥାନ ବିଦ୍ୟମାନ ।

 

ପ୍ରାଚୀ ତଟ ପରେ ବନ୍ଦର ଉତ୍ତମ

ପୁରାକାଳେ ଖ୍ୟାତ ଥିଲା ଏହି ସ୍ଥାନ ।

ବିସ୍ତୀର୍ଣ୍ଣ ପ୍ରାନ୍ତର ତୃଣ ବାଡ଼ ଘେରେ

ଗୋଧନ ଚାରଣ କରନ୍ତି ଏ ସ୍ଥଳେ ।

 

ବୋଇତ ଡିହର ନାମେ ପରିଚିତ

ପାଶ ବନ୍ଦେଶ୍ଵର ଥିଲା ପ୍ରାଚୀ ପୋତ ।

ବାଣିଜ୍ୟ ବ୍ୟାପାରେ ହୀରା, ଲୀଳା, ମୋତି

ବୋଇତେ ସାଧବେ ବିଦେଶୁ ଆଣନ୍ତି ।

 

ବସତି ସ୍ଥାପନ କରି ପ୍ରାଚୀ ତୀରେ

ହୀରାପାଟଣାରେ ପୂର୍ବେ ରହୁଥିଲେ ।

ତାଙ୍କ ବଂଶଧର କୁବେର ସନ୍ତାନ

ଏବେ ଏହି ଗ୍ରାମେ କରି ବାସସ୍ଥାନ ।

 

ସୁଖରେ ବିତାନ୍ତି ବନ୍ଧୁ ମିତ୍ର ମେଳେ

ଅନନ୍ତ ଈଶ୍ଵରୀ ଛନ୍ତି ଏହି ସ୍ଥଳେ ।

ପୂର୍ବ ଭାଗେ ସ୍ଥିତ ଆର୍ତତ୍ରାଣ ମଠ

ଉତ୍ତରରେ ପ୍ରାଚୀ ବାଲିସାହି ମଠ ।

 

ଦେବ, ଋଷି ପୁଣ୍ୟସ୍ଥଳ ଥିଲା ଏହି

ପୁରାଣ ଶାସ୍ତ୍ର ତ ଏ ତଥ୍ୟ ଦିଅଇ ।

ମୋଟିଆଁ, ସାରେଣା, ନାଛିଗାଁ ଥାଇ

ପ୍ରାଚୀର ଉତ୍ତରେ ଖ୍ୟାତ ଥିଲେ ଯହିଁ ।

 

ସବୁଜ ବନାନୀ ମଧ୍ୟେ ହିଂସ୍ର ଜୀବ

ତା’ମଧ୍ୟରେ ଥିଲେ ବାଲିସାହି ଦେବ ।

ମଠାଧୀଷ ସାଥେ କରୁଥିଲେ ପ୍ରୀତି

ହିଂସ୍ର ଜୀବ କେବେ ନ କରିଣ କ୍ଷତି ।

 

ନିରାପଦେ ବିଚରଣ ମଠ ସ୍ଥଳ

କରୁଥିଲେ ବନ ପରାଣି ସକଳ ।

ରଚୁଥିଲେ ମୁନୀ ସାଥେ ବିଚରଣ

କାୟା ଛାୟା ପରି ମୂନୀ ଜୀବଗଣ ।

 

ବନ ମଧ୍ୟେ ଥଲା ସବୁରି କ୍ରୀଡ଼ନ

ନଷ୍ଟ ହୋଇଅଛି ଏହି ଦିବ୍ୟ ବନ ।

ବ୍ୟାଘ୍ର, ଭୁଲୁକୀ, ମୃଗ ଓ ଶୃଗାଳ

ମିତ୍ରତାର ଭାବ ଥଲା ପ୍ରାଣୀଙ୍କର ।

 

ତପର ପ୍ରଭାବେ ଶାନ୍ତ ମନ ହୋଇ

ମୁନୀ ସାଥେ ଥିଲେ ଛାୟା ପରି ରହି ।

ଥରେ ମୁନୀବର କରିବାକୁ ସ୍ନାନ

ପ୍ରାଚୀ ଧାରେ କରିଥିଲେ କ ଗମନ ।

 

ଧ୍ୟାନ ମଗ୍ନ ଥିଲେ ଜଳ ମଧ୍ୟେ ରହି

ବନ୍ୟା ଜଳ ପ୍ରବେଶିଲା ପ୍ରାଚୀ ନଈ ।

ସାତ ଦିନ ସାତ ରାତ୍ର କାଳ ମୁନୀ

ଜଳ ମଧ୍ୟ ଥିଲେ ପ୍ରାଣବାୟୁ ଘେନି ।

 

ମଠ ଅଧିବାସୀ ହୋଇ ଆତଙ୍କିତ ଏ

ମୁନୀଙ୍କୁ ଖୋଜିଲେ ଝାଡ଼ବଣ ପ୍ରାନ୍ତ ।

ନ ପାଇ ମୁନୀଙ୍କ ସନ୍ଧାନ ସେଠାରେ

କ୍ରନ୍ଦନ ରଚିଲେ ଜନ ସମାଜରେ ।

 

ବ୍ୟାଘ୍ର ବା ଭଲୁକ, ହାତୀର କବଳେ

ମୁନୀ ପ୍ରାଣ ଗଲା ହିଂସ୍ର ପ୍ରାଣୀ କୋଳେ ।

ମୁନୀଙ୍କ ବିୟୋଗେ ସର୍ବଜନ ମିଳି

ମୁଖରିତ କଲେ ଆସି ତପ ସ୍ଥଳୀ ।

 

ରାତ୍ରି କାଳେ ଦୁଃଖେ ନ କରି ଭୋଜନ

ମଠ ଗୃହ ମଧ୍ୟେ କରିଲେ ଶୟନ ।

ନିଶି ଅନ୍ତେ ଜାଗି ବିହଙ୍ଗ ସକଳ

ମଧୁର କୁଜନେ କମ୍ପାଇଲେ ସ୍ଥଳ ।

 

ବନ୍ୟା ଜଳ ହ୍ରାସ ହେବାରୁ ନଦୀରୁ

ମୁନୀ ଛାଡ଼ି ନଦୀ ଯୋଗ ନିଦ୍ରା କୋଳୁ ।

ଧୀରେ ଧୀରେ କଲେ ଗମନ ଆଶ୍ରମେ

କତିପୟ ଜନ ଚାହିଁଲେ ବିଭ୍ରମେ ।

 

ମୁନୀଙ୍କ ନିଧନ ବାର୍ତ୍ତା ସବୁଠାରେ

ପ୍ରଚାରିତ ହୋଇ ଥଲା ରାତ୍ର କାଳେ ।

ଏବେ କେଉଁଠାରୁ ମୁନୀଙ୍କର ରୂପ

ଆସି ପହଞ୍ଚିଲା ଆମରି ସମୀପ ।

 

ବୋଧେ ଏ ମହାତ୍ମା ପ୍ରେତାତ୍ମା ବୁଲନ୍ତି

କତିପୟ ଜନ ଯାଇ ତାଙ୍କ କତି ।

ପୁଛିଲେ ମୁନୀଙ୍କୁ କୁଶଳ ବାରତା

ସାତ ଦିବସର ଅନ୍ତର୍ଦ୍ଧାନ ଗାଥା ।

 

ହସି ହସି ମୁନୀ ଜନ ମୁଖ ଚାହିଁ ।

ନଦୀ ଜଳେ ଥିଲେ ଧ୍ୟାନରତ ସେହି ।

ମାଡ଼ିଯାଇ ବନ୍ୟା ଜଳ ନଦୀ ସ୍ଥଳ

ଭୁଲାଇଣ ଦେଲା ପାର୍ଥିବ ଶରୀର ।

 

ଧ୍ୟାନ ଭଗ୍ନେ ଚକ୍ଷୁ ବୁଲାଇ ଯତନେ

ନିରେଖିଲେ ବନ୍ୟା ନାହିଁ ନଦୀ ବନେ ।

ଏଣୁ ଫେରିଯାନ୍ତି ଆଶ୍ରମର ସ୍ଥଳ

ଶିଷ୍ୟଗଣ ହେଉଥିବେ ଶଙ୍କାକୁଳ ।

 

ଏପରି ରହସ୍ୟ ମୁନୀଙ୍କ ମହିମା

ଅଗ୍ନିସମ ବିସ୍ତରିଲା ନଦୀ ସୀମା ।

ହଜାର ହଜାର ଜନ ନାନା ସ୍ଥାନୁ

ମୁନୀଙ୍କ ଦର୍ଶନେ ଆସିଥଲେ ତେଣୁ ।

 

ପ୍ରାଚୀନ କୀରତି ମୋଟିଆଁ ଗ୍ରାମରେ

ବିରାଜିତ ଏବେ ଭଗ୍ନ ମନ୍ଦିରରେ ।

ଚତୁର୍ଭୁଜା ଦୁର୍ଗା ଦୂର୍ଗାଣୀ ନାମରେ

ପୂଜା ପାଉଛନ୍ତି ଏ ଗ୍ରାମ ମଧ୍ୟରେ ।

 

ସୂର୍ଯ୍ୟ ଭଗବାନ ସୁନ୍ଦର ପ୍ରତିମା

ଚାମୁଣ୍ଡା ମୂରତି ଚତୁର୍ଭୁଜା ନାମା ।

ପାର୍ଶ୍ଵଦେବ ଦେବୀ ରୂପରେ ପୂଜିତ

ଷଷ୍ଠୀଭୁଜା ଦେବୀ ବଟ ତଳେ ସ୍ଥିତ ।

 

ପାର୍ଶ୍ଵ ଗ୍ରାମ କୃଷ୍ଣ ପ୍ରସାଦ ଗଡ଼ରେ

ଶିବ ବିଶ୍ଵନାଥ ଭଙ୍ଗା ମନ୍ଦିରରେ ।

ପୂଜା ପାଉଛନ୍ତି ଅଦ୍ୟାବ୍ଧି ସେଠାରେ

ଯହିଁ ଛନ୍ତି ଲକ୍ଷ୍ମୀ ସାବିତ୍ରୀ ସଦଳେ ।

 

ଜଗମୋହନର ମୁକ୍ତ ପ୍ରାଙ୍ଗଣରେ

ବରାହ ବିଷ୍ଣୁଙ୍କ ବିଗ୍ରହ ସେଠାରେ ।

ପାର୍ବତୀଙ୍କ ସାଥେ ପୂଜା ପାଉଛନ୍ତି

ବିଷ୍ଣୁ ମନ୍ଦିରରେ ସେ ମୂର୍ତ୍ତି ନାହାନ୍ତି ।

 

ପ୍ରାଚୀ ବଇଭବ ଚଉରାଶି ଗ୍ରାମ

ଇତିହାସ କରେ ୟା’ ଖ୍ୟାତି ବୟାନ ।

ଉନ୍ନତି ଶିଖରେ ଥିଲା ଏହି ସ୍ଥଳ

ପ୍ରାଚୀ, ନଳିତାର କୁଳୁକୁଳୁ ଜଳ ।

 

ଧୌତ କରୁଥଲା ପଦ ନିରନ୍ତର

ଗଙ୍ଗା ପାପତାପ ଗୋତୀର୍ଥର ଜଳ ।

ଧୌତ କରୁଥିଲା ପାତକ ସକଳ

ମାତଙ୍ଗ ଋଷିଙ୍କ ନିବାସର ସ୍ଥଳ ।

 

ଥିଲା ଚଉରାଶି ପ୍ରାଚୀ ନଦୀ ତୀର

ବନ, ଲତା, ଘେରା ପ୍ରାଚୀନ ଉକ୍ରଳ ।

ଶତ ମୁନୀ, ଋଷି ରହି ଏହି ସ୍ଥଳ

ଧ୍ୟାନ ତପସ୍ୟାରେ କାଟୁଥିଲେ କାଳ ।

 

ଚୈତ୍ର ରାଜା ବୀର ଉତ୍କଳ କେଶରୀ

ସ୍ଥାପିଲେ ନଗର ଏହି ପୁଣ୍ୟ ସ୍ଥଳୀ ।

ବୋଇତେ ଅଣାଇ ବିଶାଳ ପ୍ରସ୍ତର

ବରାହୀ ମନ୍ଦିର ନିର୍ମିଲେ ଏ ସ୍ଥଳ ।

 

ଚାରୁ ଚିତ୍ରମୟ ଏ ମନ୍ଦିର ଗାତ୍ର

ଏ ଜୀବନ୍ତ ଛବି ବିରଳ ଅନ୍ୟତ୍ର ।

ଅଷ୍ଟମ ଶତାବ୍ଦୀ କୀର୍ତ୍ତି ଏ ମନ୍ଦିର

କୋଣାରକ ପରି ନିର୍ମାଣ ସୁନ୍ଦର ।

 

ବ୍ରାହ୍ମଣ, ଚଣ୍ଡାଳ ବସ୍ତିକୁ ବସାଇ

ଚଉରାଶି ଗୋଟା ବାମ୍ଫିକୁ ଖୋଳାଇ ।

ବିଶାଳ ପ୍ରକାଣ୍ଡ ତଡ଼ାଗ(ବୃହତ୍ ଜଳାଶୟ) ଖୋଳାଇ

ରାଜା ରହୁଥିଲେ ନଗର ବସାଇ ।

 

ଆଚାର୍ଯ୍ୟ ବ୍ରାହ୍ମଣ ଡକାଇ ଏ ସ୍ଥଳେ

ଖାନା, ବାଡ଼ି ବିଲ ତାଙ୍କୁ ଅର୍ପିଥିଲେ ।

ଗ୍ରାମର ପ୍ରାରମ୍ଭେ ଲକ୍ଷ୍ମୀ ନାରାୟଣ

ରାଜା କରିଥିଲେ ମନ୍ଦିର ନିର୍ମାଣ ।

 

କଳା ମୁଗୁନିର ପ୍ରସ୍ତରରେ ଗଢ଼ା

ଯୁଗଳ ମୂରତି ଚିତ୍ତ ମନୋହରା ।

ଗ୍ରାମେଶ୍ୱର ଶିବ ଏହି ସ୍ଥାନେ ଥାଇ

ପୂଜା ପା’ନ୍ତି ଛୋଟ ମନ୍ଦିରରେ ଯହିଁ ।

 

ପାର୍ଶ୍ଵେ ବିରାଜିତ ଜାଗୁଳାଇ ମାଆ

ନୀଳ ନଦୀ ତଟେ ରଖୁଥିଲେ ନାଆଁ ।

ସ୍ଥାପିଥିଲେ ମୂର୍ତ୍ତି ଶ୍ରୀ ନୀଳ ମାଧବ

ଏ ବିରଳ ମୁର୍ତ୍ତି ଉତ୍କଳ ଗୌରବ ।

 

ବଧୂଙ୍କ ସ୍ନାହାନେ ରଖ ଅନୁରାଗ

ନରେଶ ଖୋଳିଲେ ବଧୁଆ ତତ଼ାଗ ।

ମୁନୀ, ଋଷି, ଜ୍ଞାନୀ, ତପସ୍ଵୀ ପ୍ରବର

ଗାତ୍ର ଧୌତ ଶୁକ ପୋଖରୀର ଜଳ ।

 

ପ୍ରଭାତେ, ପ୍ରଦୋଷେ ତପ, ଯଜ୍ଞ, ଧ୍ୟାନ

ଉଚ୍ଚାରୁଣ ଥଲେ ଓଁକାରର ସ୍ଵନ ।

ପବିତ୍ର ପାବନୀ, ଗୋତୀର୍ଥର ଜଳେ

ପୂଜାରତ ଥିଲେ ଅରଣ୍ୟାନୀ କୋଳେ ।

 

ମଠ, ମନ୍ଦିରରେ ଭରା ଥିଲା ଗ୍ରାମ

ଯଶ, କୀର୍ତ୍ତି ପାଇ ରଖିଥିଲା ନାମ ।

ସେବକ, ବାରିକ, ନାହାକ, କୁବେର

ଆଚାର୍ଯ୍ୟଙ୍କ ସାଥେ ଥିଲେ ଏହି ସ୍ଥଳ ।

 

ଜେନା ପରିବାର ଏହି ସ୍ଥଳେ ରହି

କ୍ଷେତ କର୍ମ, ବାଣିଜ୍ୟରେ ବ୍ୟସ୍ତ ରହି ।

ଅର୍ଜୁଥିଲେ ଧନ ରତ୍ନ ଅପ୍ରମିତ

ବିଦେଶେ ଚଳାଇ ଉତ୍କଳ ବୋଇତ ।

 

କାର୍ତ୍ତିକ ମାସର ପୂର୍ଣ୍ଣିମା ତିଥିରେ

ଦେବଦେବୀ ପୂଜି ଭକ୍ତି ପୂତ ନୀରେ ।

ଶୁଭ ଟୀକା ଥାପି ମସ୍ତକ ଶିଖର

ବୋଇତର ଯାତ୍ରା କରି ଏ ଦିନର ।

 

ଜାଭା, ସୁମାତରା, ବାଲି ଦୀପ ଯାଇ

ଧନ ଅର୍ଜୁଥିଲେ ବିଦେଶରେ ରହି ।

ଫେରି ନିଜ ସ୍ଥଳେ ଧରି ବହୁ ଧନ

ପ୍ରାଚୀ ସଭ୍ୟତାର ରଖିଥିଲେ ମାନ ।

 

ପ୍ରାଚୀ ସରସ୍ଵତୀ ଗୋମତୀ ଲଳିତା

ଚାରି ନଦୀ ନାମେ ହୋଇଥିଲେ ଖ୍ୟାତା ।

ମହାଦେବ ପୀଠ ଶ୍ରୀ ଅମରେଶ୍ଵର

ବିରୀଜିତ ଏବେ ଚଉରାଶି ଧାର ।

 

ଭକତ, ଶ୍ରଦ୍ଧାଳୁ ବ୍ରାହ୍ମ ମୁହୂର୍ତ୍ତରେ

ସ୍ଵାନ କରୁଥିଲେ ଅକ୍ଷୟ ତୀର୍ଥରେ ।

ଗୋତୀର୍ଥର ଜଳେ କରି ସ୍ନାନ, ଧ୍ୟାନ

ଅମରେଶ୍ଵରଙ୍କ କରି ଦରଶନ ।

 

ଉଦ୍ଧାର ପାଇଣ ପାପ, ତାପ ଘୋର

ଅମରତ୍ୱ ବର ଲଭି ପ୍ରଭୁ କର ।

ବୈକୁଣ୍ଠ ଧାମରେ କରିଣ ଗମନ

ନିତି କରୁଥିଲେ ତହିଁ ସୁଧା ପାନ ।

 

ବ୍ରହ୍ମା, ବିଷ୍ଣୁ, ଶିବ ଦେବ ତା’ ସଙ୍ଗର

ସ୍ଵର୍ଗେ କରୁଥିଲେ ଆନନ୍ଦେ ବିହାର ।

ଲଙ୍କାର ନରେଶ ବିଶ୍ରବା ନନ୍ଦନ

କରି ଏ ଧାମରେ ଯଜ୍ଞ, ତପ, ଧ୍ୟାନ ।

 

ଅମରେଶ୍ଵରଙ୍କୁ କରିଣ ପ୍ରସନ୍ନ

ଅମର ବରକୁ ଲଭିଣ ରାବଣ ।

ଗର୍ବ, ଅଂହକାରେ ହୋଇ ବଶୀଭୂତ

ଦେବତାମାନଙ୍କୁ ମଣି ନିଜ ଦୂତ ।

 

ଦେଉଥଲେ ତାଙ୍କୁ ନାନାଦି କଷଣ

ପୁରାଣ କରଇ ଏ କଥା ବଖାଣ ।

ଅମରେଶ୍ଵରଙ୍କ ଉତ୍ତର ପାର୍ଶ୍ଵର

ଲଳିତା ତଟିନୀ ବହେ କ୍ଷୀଣ ଧାର ।

 

ଲଙ୍କାର ରାଜନ ରାବଣ ଅସୁର

ଧ୍ୟାନ, ଯଜ୍ଞ କରି ଅମର ନଅର ।

ଅମରବରକୁ ପାଇବା ଆଶାରେ

ପ୍ରାତଃ ସ୍ନାନ କରି ନଳିତା ନଦୀରେ ।

 

ଦରଶନ କରି ନୀଳମାଧବଙ୍କୁ

ଧ୍ୟାନ କରୁଥିଲା ଅମରେଶ୍ଵରଙ୍କୁ ।

ଲୁପ୍ତ ପ୍ରାୟ ଅଟେ ଏ ନଦୀର ଧାର

କ୍ଷୀଣ ରୂପ ଭରେ ଜଳ ବର୍ଷା କାଳ ।

 

ତଡ଼ାଗ ବହୁଳ ଚଉରାଶୀ ଗ୍ରାମ

ଖଜୁରିଆ, ଶୁକ ପୋଖରୀର ନାମ ।

ବଧୁଆ ପୋଖରୀ ବଧୂମାନଙ୍କର

ସ୍ନାନ ପାଇଁ ଥିଲା ଅତି ଅନୁକୂଳ ।

 

ଦାରି ପୋଖରୀ, ଭୋଇ ଆନ ରହି

ବିବିଧ ଜାତିଙ୍କ ସ୍ନାନ ସ୍ଥଳ ଏହି ।

ଖୋଳା ପଡ଼ିଆ ଓ ଜେନା ଖାଲ ଥାଇ

ଗ୍ରାମ ଚତୁର୍ଦ୍ଦିଗେ ଉଭା ଚାର ନଈ ।

 

ଜଳାଭାବ ରହୁ ନ ଥିଲା ଏଠାର

ସବୁକାଳେ ଉପଲବ୍ଧ ଥିଲା ଜଳ ।

ପ୍ରାଚୀ ନଦୀ ତୀର ଆଗର ଶାସନ

ଦକ୍ଷିଣ ପାର୍ଶ୍ଵରେ ଏବେ ବିଦ୍ୟମାନ ।

 

ନାରୀକେଳ, ଚ୍ୟୁତ, ପୁନାଙ୍ଗ ବକୁଳ

ସୁଶୋଭିତ କରେ ଏ କ୍ଷୁଦ୍ର ଗ୍ରାମର ।

ଗ୍ରାମର ପଶ୍ମିମ ତଟେ ରାଜମାର୍ଗ ।

ପୁରାତନ ପୋଲ କରଇ ସଂଯୋଗ ।

 

ଏ ସ୍ଥାନୁ ନିର୍ଗତ ଏକ ଜଳଧାର

ପ୍ରାଚୀ ତଟିନୀର ବାହି ଶୁଦ୍ଧ ନୀର ।

ବହିଯାଏ ଦୂର ଗ୍ରାମ ପଦ ଛୁଇଁ

ଉର୍ବର କରଇ ପାର୍ଶ୍ଵ ଚାଷ ଭୂଇଁ ।

 

ଅଧକୋଶ ଦୂରେ ଅମର ପ୍ରସାଦ

କ୍ଷତ୍ରିୟ ନିବାସ ହରଇ ପ୍ରମାଦ ।

କୁବେର ସନ୍ତାନ ଏ ସ୍ଥଳେ ଅଛନ୍ତି

କୃଷି, ବାଣିଜ୍ୟରେ ସମୟ ବିତାନ୍ତି ।

 

ପ୍ରାଚୀର ଉତ୍ତରେ ସାତଟି ପାଟଣା

ତନ୍ମଧ୍ୟରେ ସ୍ଥିତ ବାଲୁକା ପାଟଣା ।

ବାଲୁକାର ସ୍ତୂପ କୁଦ ରୂପ ହୋଇ

କୁନ୍ଦ ପାଟଣାରେ ଏବେ ବିରାଜଇ ।

 

ପୂର୍ବେ ବାଲିକୁଦ ଥିଲା ଚତୁର୍ଦ୍ଦିଗ

ପାଣ୍ଡବେ ଏ ସ୍ଥାନେ ପାଇଣ ସୁଯୋଗ ।

ରହିଥିଲେ କିଛି କାଳ ଏ ସ୍ଥାନର

ଭୀମ ଗଦା ଚିହ୍ନ ଅଛି ଏ ଗ୍ରାମର ।

 

ପ୍ରାଚୀ ଯେବେ ଥିଲା ସୁଜଳା ସୁଫଳା

ଓଡ଼ିଆ ପାଇକ ନାବ ବାହୁଥିଲା ।

ସେ କାଳେ ବନ୍ଦର କୁଦପାଟଣାରେ

ଲୌହ ସ୍ତମ୍ଭମାନ ବିଦ୍ୟମାନ ଥିଲେ ।

 

ନାବିକ ନାବକୁ ବାନ୍ଧି ଲୌହ ପରେ

ଯାତ୍ରାର ବିରାମ ସୁଖେ ରଚୁଥିଲେ ।

ସାତ ପାଟଣାରେ ବୈଶ୍ୟ ଦଳ ଦଳ

ବ୍ୟାପାର ବାଣିଜ୍ୟେ ଥାନ୍ତି ତତ୍‌ପର ।

 

ମଠ ମନ୍ଦିରରେ ପର୍ବ, ପର୍ବାଣିରେ

ମିଳି ସର୍ବଜନ ପୂଜନ୍ତି ଈଶ୍ଵରେ

ଧନରେ କୁବେର ପଣେ ପ୍ରତିଷ୍ଠିତ

 

ସ୍ଥାପିଛନ୍ତି ମିଳି ଧର୍ମସ୍ଥଳୀ ମଠ ।

ଏକ କୋଶ ଦୂରେ ପୁର ନରସିଂହ

ସାଧୁ ସନ୍ଥଙ୍କର ଥିଲା ଏ ଆଳୟ ।

ଟଗର, ତରାଟ, ମଲ୍ଲୀ, ମୁଚୁକୁନ୍ଦ

 

ବଟ, ଅଶ୍ଵତ୍ଧ, ଚ୍ୟୁତ ବୃକ୍ଷ ବୃନ୍ଦ ।

ଗୋପପୁର ପରି ଶୋଭା ଏ ସ୍ଥାନର

ବିଶାଳ ଗ୍ରାମଟି ନରସିଂହ ପୁର ।

ନାନା ଜାତି, ବର୍ଣ୍ଣ ଏ ସ୍ଥଳରେ ମିଳି

 

ସମୟ ବିତାନ୍ତି ସାଧୁ ସନ୍ଥ ଭାଳି ।

ଦୁର୍ଗା, ମହାଦେବ ପୂଜି ଭକ୍ତିଭରେ

ଆନନ୍ଦ ମନାନ୍ତି ପର୍ବପର୍ବାଣୀରେ ।

ଏହି ଗ୍ରାମେ ଥିଲା ଗୋପୀ ଦାସ ଖ୍ୟାତ

 

ଏଠାବରେ ଥିଲା ବାଉଁଶର ଭୂତ ।

ରାତ୍ରିକାଳେ କରି ପ୍ରହାର ଅପାର

ପଥିକ ପ୍ରାଣରେ ଭରୁଥିଲା ଡର ।

ବାଉଁଶ ବାଡ଼ିଆ ଭୂତ ଭୟ ପାଇଁ

 

ରାତ୍ରି କାଳେ କେହି ଗମୁଥିଲେ ନାହିଁ ।

ବିଚିତ୍ର ପବିତ୍ର ମଧୁମୟ ଭୂଇଁ

ସରଗ ସମାନ ୟା’ ସାଥେ ନୁହଇଁ ।

ମଧୁବାବା ଏଠି ରହି କେତେ କାଳ

 

ବିତରିଣ ଥିଲେ ଜ୍ଞାନର ଭଣ୍ଡାର ।

ଏବେ ତ ନିର୍ମିତ ମଧୁବାବା ମଠ

ନୟାହାଟ ପାଶେ, ଯହି ପ୍ରାଚୀ ତୀର୍ଥ ।

ପାଶେ ନିପାଣିଆଁ ଗଡ଼ ବିଦ୍ୟମାନ

 

ପୂରୁବ ଗୌରବେ ଏ ଗଡ଼ ମହାନ ।

ନାହିଁ ସେ ବିଭବ ନାହାନ୍ତି ସାଆନ୍ତ

ବହୁ ଘର ଶୂନ୍ୟ ଯେସନେ ବନସ୍ତ ।

କୃଷି କର୍ମ ଆଉ ବ୍ୟାପାର ବାଣିଜ୍ୟ

 

ରତ ଏ ନିବାସୀ ଛାଡ଼ି ରାଜ କାର୍ଯ୍ୟ ।

ପ୍ରାଚୀ ଉତ୍ତରରେ ନିଭରଣ ଗ୍ରାମ

ପୂର୍ବ କୀର୍ତ୍ତି ରାଜି ତହିଁ ବିଦ୍ୟମାନ ।

ଗ୍ରାମେଶ୍ଵର ଶମ୍ବୁ ବିଜେସ୍ଥଳୀ ଏହି

 

ଗ୍ରାମର ମଙ୍ଗଳ କରୁଥାନ୍ତି ରହି ।

ଚାରୋଟି ମନ୍ଦିର ଏ ଗ୍ରାମରେ ସ୍ଥିତ

ବାରଭୂଜା ଦୁର୍ଗା ତହିଁ ବିରାଜିତ ।

 

ବିଷ୍ଣୁ ବୁଦ୍ଧଦେବ ମନ୍ଦିର ନିଖୁଣ

ଭବ୍ୟ କୀର୍ତ୍ତିରାଜି ଅଛି ବିଦ୍ୟମାନ ।

ପ୍ରାଚୀନ ଉତ୍କଳ ଶିଳ୍ପୀ ବୀରବର

ସୂକ୍ଷ୍ମ ଶିଳ୍ପ କଳା ମନୋମୁଗ୍ଧକର।

 

ଶୀତଳଷଷ୍ଠୀରେ ଶିବ ବିଭା ଚାଲେ

ନିଭରଣ ଗ୍ରାମ ନର, ନାରୀ ମେଳେ ।

ଭାରଡ଼ା ପାଟଣା ପରିଡ଼ା ବିଖ୍ୟାତ

ଗ୍ରାମ ପାଶେ ନଦୀ ଗଭୀର ବହୁତ ।

 

ପୂର୍ବେ ନାବ ପରେ ନଦୀ ପାର ହୋଇ

ବ୍ୟାପାର ବାଣିଜ୍ୟେ ଯାଉଥିଲେ ଧାଇଁ ।

ପୂର୍ବେ ଏ ଗଣ୍ଡରେ କୁମ୍ଭୀର ମଗର

ପ୍ରାଣଘାତୀ ପଶୁ, ନର ନାରୀଙ୍କର ।

 

ଅନ୍ତର୍ହିତ ନଦୀ ଜଳ କ୍ଷୀଣ ପାଇଁ

ପୂର୍ବ ଭୟ ଏବେ ନଦୀ ଗର୍ଭେ ନାହିଁ ।

ଭାରଡ଼ା ପାଟଣା ପାର୍ବତୀ ବିଖ୍ୟାତ

ପାଶେ ବିରାଜିତ ପ୍ରଭୁ ବିଶ୍ଵନାଥ ।

 

ଭକ୍ତଗଣ ଦୂର ପ୍ରାନ୍ତରୁ ଆସିଣ

ଦେବଦେବୀ ପୂଜା କରନ୍ତି ଭିଆଣ ।

ଯଜ୍ଞ, ତପ, ଦାନ ଆଚରନ୍ତି ରହି

ମନୋବାଞ୍ଛା ପୂରା ହୁଏ ଏଠି ରହି ।

 

ଘଞ୍ଚ ଜଙ୍ଗଲରେ ଆଚ୍ଛାଦିତ ସ୍ଥାନ ।

ପ୍ରାଚୀର ଉତ୍ତରେ ରାମେଶ୍ଵର ଗ୍ରାମ

ମହା ଶିବଶମ୍ଭୁ ତହି ବିଦ୍ୟମାନ

ମଥାପରେ ସ୍ଥିତ ରାମ ମୁଦି ଚିହ୍ନ ।

 

ସରଗ ସମାନ ଏ ପବିତ୍ର ସ୍ଥାନ

ବସନ୍ତ ଋତୁ ଯେ ସଦା ବିଦ୍ୟମାନ ।

ପକ୍ଷୀ କଳରବେ ସଦା ମୁଖରିତ

ଚତୁର୍ଦ୍ଦିଗେ ଭରା ଶସ୍ୟ ଧାନ କ୍ଷେତ ।

 

ଶାନ୍ତ ମଧୁମୟ ସରସ ସୁନ୍ଦର

ଏ ସ୍ଥାନେ ବହଇ ପବନ ଶୀତଳ ।

ଦୁଃଖ, ସୁଖ, ଭବ ତାପର ବନ୍ଧନ

ଭୁଲିଯାଏ ନର ରହି ଏହି ସ୍ଥାନ ।

 

ପିତା ସତ୍ୟ ପାଳି ରାମ ଓ ଲକ୍ଷ୍ମଣ ।

ସୀତୀ ସାଥେ ପ୍ରବେଶିଲେ ଏହି ବନ ।

ଦେଖି ମନୋରମ ସୁଷମା ମାଧୁରୀ

ପ୍ରତ୍ୟୁଷ, ପ୍ରଦୋଷ ବିହଙ୍ଗ କାକଳୀ ।

 

ବିମୋହିତ ହେଲା ରାମ ତନୁମନ

ରାମେଶ୍ଵର ବନେ କଲେକ ବିଶ୍ରାମ ।

ସୀତୟା ପାଇଁ କି କୁଟୀର ନିର୍ମାଣ

ଆଦେଶିଲେ ଭ୍ରାତ ଅନୁଜ ଲକ୍ଷ୍ମଣ ।

 

ସୁଖେ ବିତାଇଲେ ରହି ତିନି ଜନ

ବନ ଫଳମୂଳ କରିଲେ ଭକ୍ଷଣ ।

ଅବଗାହୀ ନିତ୍ୟ ପ୍ରାଚୀ ପୁଣ୍ୟ ଜଳେ

ରାମେଶ୍ଵର ଶମ୍ଭୁ ପୂଜିଲେ ସତ୍ୱରେ ।

 

ଜପ, ତପ, ଧ୍ୟାନ ଯଜ୍ଞମାନ କଲେ

ସୁଖେ ବଞ୍ଚୁଥିଲେ ପଶୁ ପକ୍ଷୀ ମେଳେ ।

ସୂର୍ଯ୍ୟ ସମ କ୍ରାନ୍ତି ଜ୍ୟୋତି ରାମେଶ୍ଵର

ଏ ଗୂଢ଼ ରହସ୍ୟ ଜାଣି ରଘୁ ବୀର ।

 

ଅଗ୍ନି ତୀର୍ଥ ନାମ ଏ ସ୍ଥଳ ରଖିଲେ

ପିତା (ଦଶରଥ) ପିଣ୍ଡଦାନ ତର୍ପଣ ରଚିଲେ ।

କାକଟପୁରରେ ବାସିନୀ ମଙ୍ଗଳା ।

ଉତ୍କଳ ବାସିନୀ ସାକ୍ଷାତ କମଳା ।

 

କମଳ ବାସିନୀ, କମଳ ରାଜିତ

କମଳର କଢ଼ି ଧରି ବାମ ହସ୍ତ ।

ଭକତଙ୍କ ଦୁଃଖ, ତାପ ନିବାରିଣୀ

ପ୍ରାଚୀ ପୁର୍ବ ତଟେ ଅଭୟ ଦାୟିନୀ ।

 

କାକଟପୁରର ରମ୍ୟ ଉପବନେ

ପାଦପ ମଣ୍ଡିତ କୁସୁମ ଅଙ୍ଗନେ ।

ଚାରୁ ସ୍ନିଗ୍ଧ ଦିବ୍ୟ ପ୍ରସୂନ ରାଜିତ

ତନ୍ମଧ୍ୟରେ ମା’ ମଙ୍ଗଳା ପୂଜିତ ।

 

ଚତୁର୍ଭୁଜା ଦୁର୍ଗା ସାକ୍ଷାତ ଈଶ୍ଵରୀ

ଭକତ ତାରଣ ବାନା ହସ୍ତେ ଧରି ।

ଧନେଶ୍ୱର ବୀର ଉତ୍କଳ ସାଧବ

ସିଂହଳେ ମାତାଙ୍କୁ କରି ଏକା ଠାବ ।

 

ବୋଇତେ ଗୋପନେ ଆଣିଲେ ଉତ୍କଳେ

ସ୍ଥାପିଲେ ମଙ୍ଗଳା କାକଟପୁରରେ ।

ସୁନ୍ଦର ମନ୍ଦିର ପନ୍ଦର ଶତରେ

ନିର୍ମିତ ହୋଇଲା ଭକତଙ୍କ ମେଳେ ।

 

ବଙ୍ଗଳା ଦେଶର ବିଧର୍ମୀ ଯବନ

ଉତ୍କଳେ ପ୍ରବେଶି କଲାକ ଲୁଣ୍ଠନ ।

ଭଙ୍ଗ କଲା ଶତ ଦେବଦେବୀ ପୀଠ

ମଙ୍ଗଳାଙ୍କୁ ନିକ୍ଷେପିଲା ପ୍ରାଚୀ ଘାଟ ।

 

କିଛି କାଳ ପରେ ମା’ କାତ୍ୟାୟନୀ

ସ୍ଵପ୍ନେ ଦେଖା ଦେଲେ ଅଭୟ ଦାୟିନୀ ।

ନଦୀ ଜଳ ଗର୍ଭୁ ଉଦ୍ଧରିବା ଆଶେ

ମିଳିଲେ ରାତ୍ରରେ ଭକ୍ତଜନ ପାଶେ ।

 

ବିଶ୍ଵାମିତ୍ର ଆଶ୍ରମ ଗଣ୍ଡ ସ୍ଥଳେ ଯାଇ

ଭକତେ ମିଳିଲେ ତହିଁ ବେଗେ ହୋଇ ।

କରିଲେ ଜଳରୁ ଉଦ୍ଧାର ମାତାଙ୍କୁ

ବାହି ନେଲେ ସ୍କନ୍ଧେ ମାତା ମଙ୍ଗଳାଙ୍କୁ ।

 

କରିଣ ଅପୂର୍ବ ମନ୍ଦିର ନିର୍ମାଣ

ବିଷ୍ଣୁ, ଚାମୁଣ୍ଡାଙ୍କ ପାର୍ଶ୍ଵରେ ସ୍ଥାପନ ।

ପୂଜିଲେ ଯତନେ ବିଧି ବିଧାନରେ

ମା’ ବୈଷ୍ଣବୀଙ୍କୁ ସ୍ଥାପି କେନ୍ଦ୍ର ସ୍ଥଳେ ।

 

ମା’ କାକଟେଇ ଚତୁର୍ଭୁଜା ଦେବୀ

କାକଟପୁରର ଯେଣୁ ଇଷ୍ଟଦେବୀ ।

କାକଟପୁରର ବାସିନୀ ମଙ୍ଗଳା

ପ୍ରଭୁ ଜଗନ୍ନାଥ ଆଜ୍ଞା ଦାରୁ ସ୍ଥଳା ।

 

ନବକଳେବର ଅବସରେ ପଣ୍ଡା

ହସ୍ତେ ଧରି ପୁଷ୍ପ ଆଜ୍ଞାମାଳ ଧଣ୍ଡା ।

ଅଧିଆ ପଡ଼ନ୍ତି ମଙ୍ଗଳା ମନ୍ଦିରେ

ଦାରୁ ପ୍ରାପ୍ତି ଇଚ୍ଛା ଧରି ହୃଦୟରେ ।

 

ସ୍ଵପନେ ଗୋପନେ ମା’ ଦେବୀ ମଙ୍ଗଳା

ଦାରୁ ପ୍ରାପ୍ତି ସ୍ଥାନ ବତାନ୍ତି ଶ୍ରୀ ମାଳା ।

ପ୍ରତି ରାତ୍ର କାଳେ ମା’ କାକଟେଇ

ଯା’ ନ୍ତି ପୁରୀ ଧାମେ ଦରଶନ ପାଇଁ ।

 

ଚତୁର୍ଦ୍ଧା ମୁରତୀ କରି ଦରଶନ

ପଥର ଉପରେ କରନ୍ତି ବିଶ୍ରାମ ।

ଉଭା ହୋଇଥାନ୍ତି ମା’ ରାତ୍ର କାଳେ ।

ପଦଚିହ୍ନ ଦୃଶ୍ୟମାନ ଶିଳାପରେ ।

 

ଭକତ ନମନ୍ତି ଶିଳା ଦରଶନେ ।

ବିମଳା, କମଳା, ମଙ୍ଗଳା ଅଙ୍ଗନେ ।

ବାଙ୍କି ଚାଚଖାଇ, ଯାଜପୁର ମାତା

ବିରଜା ନାମରେ ସେ ମାତା ପୂଜିତା ।

 

ଝାମୁ ଯାତ୍ରା ଚାଲେ କାକଟପୁରରେ

ଚଇତ୍ର ମାସର ମଙ୍ଗଳବାରରେ ।

ମଙ୍ଗଳା ଅର୍ଚ୍ଚନା ହୁଏ ମନ୍ଦିରରେ

ଅଗ୍ନିରେ ନାଚନ୍ତି ପାଟୁଆଙ୍କ ଦଳେ ।

 

ପୁରପଲ୍ଲୀ ଆଉ ନଗର ନିବାସୀ

ଅଭିଷ୍ଟ ପୁରାନ୍ତି ମଙ୍ଗଳାଙ୍କୁ ତୋଷି ।

ଆଶ୍ଵିନ ମାସରେ ଦୁର୍ଗାପୂଜା କାଳେ

ମା’ ମଙ୍ଗଳାଙ୍କ ଷୋଡ଼ପୂଜା ଚାଲେ ।

 

ମୁଖ୍ୟ ମନ୍ଦିରରେ ଛନ୍ତି ଦ୍ୱାରପାଳ

ବିରାଜିତ ମୁଖ୍ୟ ଦ୍ଵାରେ ଦ୍ୱାରପାଳ ।

ଜଗମୋହନରେ ବିଷ୍ଣୁ ମୂର୍ତ୍ତିମାନ

ବିଷ୍ଣୁ, ତ୍ରିବିକ୍ରମ, ବରାହ ଉତ୍ତମ ।

 

ଗରୁଡ଼ ପାଶରେଛନ୍ତି ବିରାଜିତ

ଅଷ୍ଟଭୂଜା ଦୁର୍ଗା ତହିଁ ଉପଗତ ।

ପାର୍ଶ୍ଵଦେବ ରୂପେ ନର୍ତ୍ତକ ଗଣେଶ

ଚାମୁଣ୍ଡା ମୂରତି ଦକ୍ଷିଣ ପାରୁଶ ।

 

ବିଦ୍ୟମାନ ଥାଇ ଜଗମୋହନରେ

ଦର୍ଶକଙ୍କ ପ୍ରାଣ ଉଲ୍ଲସିତ କରେ ।

ପୁରାତନ କୀର୍ତ୍ତି ସ୍ମାରକୀ ଏ ଗ୍ରାମ

ପ୍ରତ୍ନତତ୍ତ୍ଵ ପୃଷ୍ଠା ପରେ ଅଛି ନାମ ।

 

ମହର୍ଷି ପ୍ରବର ବିଶ୍ଵାମିତ୍ର ବୀର

ବିରଚି ଆଶ୍ରମ ପ୍ରାଚୀ ତଟ ପର ।

ଘୋର ତପସ୍ୟାରେ ଥିଲେ ନିମଗନ

ପୂଜିଲେ ବରାହ, ବିଷ୍ଣୁ, ତ୍ରିବିକ୍ରମ ।

 

ଜଗନ୍ନାଥ ମୂର୍ତ୍ତି ଅତି ମନୋରମ

ମନୋବାଞ୍ଛା ତାଙ୍କ ହୋଇଥଲା ପୂର୍ଣ୍ଣ ।

ମଙ୍ଗଳା ପୀଠରୁ ନୁହେଁ ଦୂର ସ୍ଥାନ

ମଠ ପୀଠ ନାମେ ଖ୍ୟାତ ଏହି ସ୍ଥାନ ।

 

କାକଟପୁରର ପଶ୍ଚିମ ପାର୍ଶ୍ଵର

ଗ୍ରାମଟିଏ ଅଛି ନୀଳକଣ୍ଠେଶ୍ଵର !

ମାଧବ ବିଗ୍ରହ ଅତି ଚମତ୍କାର

ପୂଜା ପାଉଛନ୍ତି ମନ୍ଦିର ଭିତର ।

 

ଚକ୍ର ବିରାଜିତ ଦକ୍ଷିଣ ହସ୍ତର

ବାମ ହସ୍ତେ ଶୋଭାପାଏ ପଦ୍ମଫୁଲ ।

ଅନ୍ୟ ହସ୍ତେ ଧରି ଗଦା, ଶଙ୍ଖ ହରି

ଭକତ ଜନଙ୍କ ଶୁଣନ୍ତି ଗୁହାରୀ ।

 

ପାର୍ଶ୍ଵଦେବ ରୂପେ ତହିଁ ପୂଜା ପା’ନ୍ତି ।

ବରାହ, ନୃସିଂହ ତ୍ରିବିକ୍ରମ ମୂର୍ତ୍ତି ।

ବିଗ୍ରହ ବିଶାଳ ଅତି ମନୋରମ

ପ୍ରାଚୀ ତଟ ପରେ କୀର୍ତ୍ତି ଏ ଉତ୍ତମ ।

 

କୁଣ୍ଢେଇ ଗ୍ରାମରେ କୁଣ୍ଢେଇଙ୍କ ହାଟ

ତହି ମହାଦେବ କରୁଥାନ୍ତି ନାଟ ।

ଇଟାରେ ନିର୍ମିତ ଇଟାର ମନ୍ଦିର

କାଳର କବଳେ ଏବେ ଚୁରମାର ।

 

ସେ ସ୍ଥାନେ ନିର୍ମିତ ନୂତନ ମନ୍ଦିର

ପ୍ରଭୁ ମହେଶ୍ଵର ବିରାଜ ସେ ସ୍ଥଳ ।

କାକଟପୁରର ପୂର୍ବବର୍ତ୍ତୀ ସ୍ଥାନ

ସୋମେଶ୍ଵର ଶମ୍ଭୁ ତହି ବିଦ୍ୟମାନ ।

 

ଦକ୍ଷିଣ ପଶ୍ଚିମ ତୀରେ କୋଟି ଶମ୍ଭୁ

ପ୍ରାଚୀ ସଭ୍ୟତାର ଶୁଦ୍ଧ ପୂତ ଅମ୍ବୁ ।

ବିଦ୍ୟାଧର ସାପୁଁ ପୁରୁରବା ତୀର୍ଥେ

ମୁକ୍ତି ଲଭିଥିଲେ କାର୍ତ୍ତିକେ ଏ ତୀର୍ଥେ ।

 

ସ୍ନାନ,ଜପ, ଦୀପ ଦାନ ଭକ୍ତିଭରେ

ପଦ ସେବା କଲେ ଷଷ୍ଠ ଶମ୍ବୁ ଶିରେ ।

ମୂଳାଗଡ଼ ପୀଠେ ଦଶମ ଶତକେ

ଉମା ମହେଶ୍ଵର ମନ୍ଦିର ଶ୍ରୀ ଅଙ୍କେ ।

 

ଇଟା ପ୍ରସ୍ତରରେ ହୋଇଲା ନିର୍ମାଣ

ବିଷ୍ଣୁ, ଦେବତାର ମୂର୍ତ୍ତି ମନୋରମ ।

ମନୋମୁଗ୍ଧକର ଲଳିତା ଶୋଭନ୍ତି

କାଣ୍ଡଶର ହସ୍ତେ ତହିଁ ବିରାଜନ୍ତି ।

 

ସିଦ୍ଧେଶ୍ଵର ମହାଦେବ ମୁଦୁଗଲେ

ଉଭା ମୁଦୁଗଲେ ମାଧବ ସାଥେ ।

ଦଶମ ଶତାବ୍ଦୀ କାଳ ଏହି କୀର୍ତ୍ତି

ପ୍ରାଚୀ ତଟପରେ ଶୋଭା ପାଉଛନ୍ତି ।

 

ପୁରାତନ ମନ୍ଦିରଟି ଏବେ ନାହିଁ

ନୂତନ ମନ୍ଦିରେ ଶିବ ଛନ୍ତି ରହି ।

ଉମା ମହେଶ୍ଵର ବିଷ୍ଣୁ ଭଗବାନ

ନିଜେ ଏବେ ମଧ୍ୟ ଜଗତ ମୋହନ ।

 

ନୃତ୍ୟେଶ୍ଵର ଦେବ ନାଶିକେଶ୍ଵରରେ

ବିଦ୍ୟମାନ ଏବେ ଇଟା ମନ୍ଦିରରେ ।

ପଞ୍ଚ ରଥାକାରେ ମନ୍ଦିର ନିର୍ମିତ

ବ୍ରାହ୍ମଣ ଶାସନ ମଧ୍ୟ ଉପସ୍ଥିତ ।

 

ପୂଜା ପାର୍ବଣରେ ବ୍ରାହ୍ମଣ ପ୍ରବଳ

ଉପସ୍ଥିତ ଥାନ୍ତି ରଥ ସଙ୍ଗତର ।

ମହୋଦଧି ପାଶେ ପ୍ରାଚୀ ନଦୀ ଧାରେ

ମୁକ୍ତେଶ୍ଵର ଦେବ ତହିଁ ଥାନ୍ତି ଭଲେ ।

 

ଶଙ୍କରେଶ ଶିବ ଶଙ୍କର ଈଶ୍ୱର

ବିରାଜିତ ଏବେ ପ୍ରାଚୀ ନଦୀ ଧାର ।

ନରୁଆ ଶଙ୍କର ପୁରେ ସୁରକ୍ଷିତ

ତହିଁ ଛନ୍ତି ଶିବ ପାର୍ବତୀ ସହିତ ।

 

କାକଟପୁରରୁ ପାଞ୍ଚ କୋଶ ଦୂରେ

ଜୀଉନ୍ତି ଶାସନେ ନବମ ଶତରେ ।

ଈଶ୍ୱର ଦେବଙ୍କ ମନ୍ଦିର ନିର୍ମାଣ

କରାଯାଇଥିଲା ଏ ପବିତ୍ର ଗ୍ରାମ ।

 

ନାରୀକେଳ, ଚ୍ୟୁତ, ପଣସ, ଖର୍ଜୁର

ପୁନାଙ୍ଗ, ବକୁଳ, ମାଳତୀ, ତମାଳ ।

ବୃକ୍ଷେ ପୁଷ୍ପେ ଥଲା ବିମଣ୍ଡିତ ଗ୍ରାମ

ଯେସନେ ରଷିଙ୍କ ପୁଣ୍ୟ ଉପବନ ।

 

ଅଷ୍ଟମ ଶତକେ ବୌଦ୍ଧ ଧର୍ମ ଲୋକ

ବିତରିଣ ଥଲେ ତହିଁ ଜ୍ଞାନାଲୋକ ।

ନଈଗୁଆଁ ଗ୍ରାମ ସାଗରର ତୀର .

ସେହି ଗ୍ରାମେ ଅଛି ଗଣେଶ ମନ୍ଦିର ।

 

ପୂର୍ବ ଇଟା ଗଢ଼ା ମନ୍ଦିର ଭାଜିଛି

ସେ ସ୍ଥାନରେ ନବ ମନ୍ଦିର ନିର୍ମିଛି ।

ପୂଜା କରୁଛନ୍ତି ଗଣେଶ ଈଶ୍ଵର

ଏହି ଗ୍ରାମ ନର, ନାରୀ, ଭକ୍ତ ଦଳ ।

 

ମନ୍ଦିର ମାଳିନୀ ପ୍ରାଚୀ ପୁଣ୍ୟ ତୀର

ଇତିହାସେ କୀର୍ତ୍ତି ଥିଲା ଭରପୁର ।

ବିଭିନ୍ନ ଧର୍ମର ଥିଲା ପୂଜାସ୍ଥଳୀ

ମନ୍ଦିର, ପ୍ରାଚୀର, ଦୂର୍ଗ ନାନା ଭଳି ।

 

ବିରାଜୁଣ ଥଲା ପ୍ରାଚୀ ପୁଣ୍ୟ ଧାରେ

ପ୍ରତ୍ନତତ୍ତ୍ଵ ତଥ୍ୟ ମିଳେ ନାନା ସ୍ଥଳେ ।

ରେଖାକାର ଇଟା ମନ୍ଦିରେ ଶୋଭିତ

ଭଗ୍ନସ୍ତୁପ ଏବେ ସେହି ସ୍ଥାନେ ସ୍ଥିତ ।

 

ବିଧ୍ଵସ୍ତ ଐଶ୍ଵର୍ଯ୍ୟ ହୁଏ ଧରାଶାୟୀ

କିର୍ତ୍ତି ସଂରକ୍ଷଣେ ଯତ୍ନ ହେଉନାହିଁ

ମୁଖ୍ୟ ମନ୍ଦିରରେ ଦେବ ଦେବୀ ରହି

ପୂଜା ପାଉଥିଲେ ପ୍ରାଚୀତଟ କହି ।

 

ପରକାଳେ ଜଗମୋହନ ନିର୍ମାଣ

ଭୋଗ ମଣ୍ଡଳ ଓ ନାଟ୍ୟ ସ୍ଥାନ ମାନ ।

ପାଇଥଲା ସ୍ଥାନ ମନ୍ଦିର ବେଢ଼ାରେ

ବିଦ୍ୟମାନ ଥିଲେ ପ୍ରାଚୀର ମଧ୍ୟରେ ।

 

ପ୍ରାଚୀ ତୀର୍ଥଙ୍କ ମାହାତ୍ମ୍ୟ - ଗୋତୀର୍ଥ

ତୀର୍ଥ, ବ୍ରତ, ଦାନ, ପୁଣ୍ୟ କରି ନର

ପାପ ପଙ୍କ କୋଳୁ ପାଆନ୍ତି ଉଦ୍ଧାର ।

ଉତ୍କଳର ପୁଣ୍ୟ ସ୍ଥଳ ପ୍ରାଚୀ ନୀର

ଯହିଁ ସ୍ନାନ କଲେ ପାପୁଁ ତରେ ନର ।

 

ପ୍ରାଚୀ ତୀର ରାଜ ଗୋତୀର୍ଥର ଜଳ

ଗଙ୍ଗା ଜଳଠାରୁ ପବିତ୍ର ନିର୍ମଳ ।

ମୁନି, ରଷି, ସାଧୁ, ଜ୍ଞାନୀ ତପୀ ନର

ଜାଣି ଗୋତୀର୍ଥର ମହିମା ସକଳ ।

 

ଆଶ୍ରମ ରଚିଣ ଚାରୁ ପ୍ରାଚୀ ଧାର

ଧ୍ୟାନ ତପସ୍ୟାରେ କାଟୁଥିଲେ କାଳ ।

ଗୋତୀର୍ଥ ତୀରରେ ମାତଙ୍ଗ ମହର୍ଷି

ଧ୍ୟାନେ ମଗ୍ନ ଥିଲେ ଆଶ୍ରମେ ନିବେଶି ।

 

ଚାରୁ ଚନ୍ଦ୍ରାନନା, ସୁଷମା ନିପୁଣା

ଦେବ ନୃତ୍ୟାଙ୍ଗନା ଉର୍ବଶୀ ଲଳନା ।

ସ୍ଵର୍ଗଧାମୁଁ ଆସି ପ୍ରାଚୀ ନଦୀ କୂଳ

ନିରେଖିଲେ ତପୀ ମାତଙ୍ଗ କୁଟୀର ।

 

କାମ ବାଣେ ଭଗ୍ନ କଲେ ତପ ତାଙ୍କ

ବିମଣ୍ଡିତ କଲେ ତପସ୍ଵୀଙ୍କ ଅଙ୍କ ।

ତପ, ଜପ, ଧାନ ବେଗେ କରି ଦୂର

ଉର୍ବଶୀ ଲାବଣ୍ୟେ ହେଲେ କାମାତୁର ।

 

ରମିଲେ ରମଣୀ ସ୍ଵର୍ଗ ସୁଖ ପରି

ଉର୍ବଶୀଙ୍କୁ ଭାବି ହୃଦ ଗଳାମାଳି ।

ନିଜେ ଋଷିବର ବରଜି କୁଟୀର -

ଦୂରେ ଗମିଥଲେ ଆଣି ପୂଜାଫୁଲ ।

 

ଏକାଳେ ଦଇତ ବେନି ଜଣ ମିଳି

ଇଚ୍ଛିଲେ ରମିବେ ମେନକା ସୁନ୍ଦରୀ ।

ଅଜ୍ଞାନୀ ପରାୟେ ଦୁର୍ବୃତ୍ତ ଦଇତ ।

ରଣେ ମସ୍ତ ହେଲେ ଭୁଲି ହିତାହିତ ।

 

ପ୍ରବଳ ଯୁଦ୍ଧରେ ହରାଇଲେ ପ୍ରାଣ

ଏ କାଳେ ଆଶ୍ରମେ ଋଷି ଶ୍ରେଷ୍ଠତମ ।

ଫେରି ତ ଦେଖିଲେ ଅସୁରଙ୍କ ଲୀଳା

ମେନକା ପୀରତି ପ୍ରାଣ ତାଙ୍କ ନେଲା ।

 

ଅଭିଶାପ ଦେଲେ ମାତଙ୍ଗ ମହର୍ଷି

ଶିଳା ରୂପ ନିଅ ମେନକା ପ୍ରେୟସୀ ।

ସ୍ଵଭାବେ ନାରୀର ଚାରୁ ରୂପ ହୋଇ

ପାପ ପୁଣ୍ୟ ବାଣୀ ଭୁଲିଗଲୁ ତୁହି ।

 

ଦଇତ ପୀରତି କରିଛି ପାଗଳ

ଆଜି ତୁମ ପାଇଁ ଏହି ପୁରସ୍କାର ।

ଏବେ ସେହି ଶିଳା ଅଛି ପ୍ରାଚୀ ଧାର

ବିଟପୀ ରମଣୀ କାହାଣୀ ଆଧାର ।

 

ଗୋତୀର୍ଥ ମହିମା ତ୍ରିପୁରେ ବିଦିତ

ଥରେ ଗଙ୍ଗାଦେବୀ ହୋଇ ଶାପ ଗ୍ରସ୍ତ ।

ଧରି ଶ୍ରୀ ହରିଙ୍କ ଅଭୟ ଚରଣ

କର ଦେବ ଦେବ ମୋତେ ପରିତ୍ରାଣ ।

 

ସ୍ଵଭାବେ ମୁଁ ଏକ ନାରୀ ଜନ୍ମ ନେଇ

ଏପରି ଅନୀତି କଲି ହେ ଗୋସାଇଁ ।

ଗତି ମୁକ୍ତି ଦାତା ତୁହି ନିରଞ୍ଜନ

ଫେଡ଼ ଏ ଅବଳା ଦୁରିତ କଷଣ ।

 

ହସି ହସି ଧୀରେ ପ୍ରଭୁ ହୃଷିକେଶ

ଗଙ୍ଗା ମାତାଙ୍କୁ ସେ ଦେଲେକ ସନ୍ଦେଶ ।

ଉତ୍କଳ ଭୁବନେ ପବିତ୍ର ତଟିନୀ

ଗୋତୀର୍ଥର ଜଳ ପାତାଳ ଗାମିନୀ ।

 

ଶ୍ରୀ ଅମରେଶ୍ଵର ଧାମ ଅଛି ଯହିଁ

ନଳିତା ନଦୀଟି ବହିଯାଏ ତହି ।

ଗୋମତୀ ଓ ସରସ୍ଵତୀ ଯହିଁ ମିଳି

ଗୋତୀର୍ଥକୁ କରିଛନ୍ତି ପୁଣ୍ୟ ସ୍ଥଳୀ

 

ଯାଅ ଏବେ ଦେବୀ ସେ ସ୍ଥାନେ ତୁରିତ

ଅକ୍ଷୟ ତୃତୀୟା ଦିବସେ ଏ ତୀର୍ଥ ।

ସ୍ନାନ କଲେ ମାତ୍ର ଏକଥର ପାଇଁ

ସକଳ ଦୁରିତ ପାପ ରହେ ନାହିଁ ।

 

ଗଙ୍ଗା ଦେବୀ ପାଇ ବିଷ୍ଣୁଙ୍କ ଆଦେଶ

ମିଳିଲେ ଗୋତୀର୍ଥେ ବଇଶାଖ ମାସ ।

ସ୍ନାନ,ଧ୍ୟାନ,ଜପ ପୂଜା ବିଧି ସାରି

ପାଶେ ଅମରେଶ ଧାମ ଗଲେ ଚଳି ।

 

ଦର୍ଶନ କରିଲେ ଅମରଈଶ୍ଵର

ନଳିତା ମାଧବ ଚୌରାଶି ଗ୍ରାମର ।

ଚରଣେ ନମିଲେ ଭକତି ପରାଣେ

ପାପୁଁ ମୁକ୍ତ ହେଲେ ପୁରାଣ ବଖାଣେ ।

 

ଲଙ୍କା ଅଧୀଶ୍ଵର ବିଶ୍ରବା ନନ୍ଦନ

ଅମର ବରକୁ ମନେ କରି ଧ୍ୟାନ ।

ବ୍ରହ୍ମାଙ୍କର ପାଶେ ବେଗେ ଗଲା ଚଳି

ପୁଛିଲେ ଏ ବର ମିଳେ କେଉଁଭଳି ।

 

ଆନନ୍ଦିତ ହୋଇ ପ୍ରଭୁ ଚତୁର୍ମୁଖ

କହିଲେ ଦାନବ ନ କର ତୁ ଦୁଃଖ ।

ପୁରୀ ଜିଲ୍ଲା ସ୍ଥିତ ଅମରେଶ୍ଵରରେ

ଅମରେଶ ବିଜେ ପ୍ରାଚୀ ନଦୀ ତୀରେ ।

 

ତୋଷିଲେ ଶଙ୍କର ତୋର ତପ ବଳେ

ଏ ବର ପାଇବୁ ପୂଜା ଧ୍ୟାନ କଲେ ।

କରି ପ୍ରାତଃ ସ୍ନାନ ନଳିତା ନଦୀରେ

ଧ୍ୟାନ ତପ କଲେ ଅମରେଶ୍ଵରରେ । .

 

ତ୍ରିସନ୍ଧ୍ୟା ତାଣ୍ଡବ ନୃତ୍ୟେ ହେଲା ରତ

ଯଜ୍ଞ କୁଣ୍ଡେ କାଟି ନିଜ ଶିର ହାତ ।

ଅର୍ପଣ କରିଲା ଶମ୍ଭୁ ମହେଶ୍ଵରେ

କଠୋର ତପରେ ଥାଇ ଶିବ ସ୍ଥଳେ ।

 

ରାବଣକୁ ଦେଲେ ବର ଅମରେଶ

କହିଲେ ତୋହର ହେବ ନାହିଁ ନାଶ ।

କେହି ଯୁଦ୍ଧେ ତୋତେ ପାରିବେନି ମାରି

କିନ୍ତୁ ଏ କଥାକୁ ନ ଯିବୁରେ ଭୁଲି ।

 

ପର ନାରୀ କେବେ ନ କର ହରଣ

ହରଣେ ତୋହର ହୋଇବ ନିଧନ ।

ଏହା କହି ଶିବ ହେଲେ ଅନ୍ତର୍ଦ୍ଧାନ

ହରଷେ ଫେରିଲା ଦୈତ୍ୟ ନିଜ ଧାମ ।

 

ଭାଇ ବିଭୀଷଣ ରାମାଦେଶ ପାଇ

ଗୋମତୀ ତୀରଥେ ଆସିଥିଲେ ଧାଇଁ ।

ଜମ୍ବୁ ଦୀପ ତୀର୍ଥେ ଗୋମତୀ ଉତ୍ତମ

ସ୍ନାନ ଜପ କଲେ ଦଇତ ପରମ ।

 

ମନ ବାଞ୍ଛିତ ସେ ପାଇଥିଲେ ବର

ପୂଜି ମହାଶିବ ଅମରେଈଶ୍ଵର ।

 

ଅର୍କତୀର୍ଥ

ନିଆଳୀ ଯା କୁଞ୍ଜେ ପାଟଳୀ ପ୍ରସୂନ

କାମିନୀ ତରାଜେ ଯେହ୍ନେ କାମ ତୂଣ ।

ଗାଇଥିଲେ କବିବର ରାଧାନାଥ

ନିଆଳୀ ଶୋଭାରେ ହୋଇ ବିମୋହିତ ।

 

ନିଆଳୀ ଶୋଭନ ଈଶ୍ଵର ପ୍ରସିଦ୍ଧ

ହରିଥିଲେ ଶିବ ମାନବ ପ୍ରମାଦ ।

ଯୋଗିନୀ ରୂପରେ ମାତା ମାହେଶ୍ଵରୀ

ଭ୍ରମଣରେ ରତ ଥିଲେ କାମେଶ୍ୱରୀ ।

 

ନାନା ଅଳଙ୍କାରେ ହୋଇଣ ଭୂଷଣ

ରୂପେ ମୋହୁଥିଲେ କାମୀ ଜନମନ ।

ନିଭୃତ ସ୍ଥାନକୁ ହକାରୀ ସୁନ୍ଦରୀ

ପ୍ରେମବାଣୀ କହୁଥିଲେ ଭଳି ଭଳି ।

 

କନକ ବଦନୀ, ପୀନ ପୟୋଧର

ପକ୍ୱ ବିମ୍ବ ପ୍ରାୟ ଅଧର ସୁନ୍ଦର ।

ରକ୍ତ ବସନରେ ଶରୀର ସଜାଇ

ଯୁବା ଜନମନ ନେଉଥିଲେ ମୋହି ।

 

ଏକାନ୍ତେ ନରଙ୍କ ଗଳା କ୍ଷତ କରି

ପାନ କରୁଥିଲେ ରୁଧିର ସୁନ୍ଦରୀ ।

ଯୋଗିନୀର ସାଥେ ରହି ଭୂତ ପ୍ରେତ ଜନ

ମାଂସ ଭକ୍ଷଣରେ ହେଉଥିଲେ ନିମଗନ ।

 

ନିଆଳୀ ଅଞ୍ଚଳ ନରଶୂନ୍ୟ ହେଲା ଧୀରେ

ଏହି କଥା ଦେବପୁରେ ଦେବତା ଜାଣିଲେ ।

ଦେବୀଦେବଗଣ ସର୍ବେ ମିଳିତ ହୋଇଲେ

କୃତିବାସ ଭବନରେ ସର୍ବେ ଉଭା ହେଲେ ।

 

ଜଣାଇଲେ ମାହେଶ୍ଵରୀ ହୀନ କର୍ମମାନ

ଶ୍ରବଣେ ହରଙ୍କ ହୃଦ ହୋଇଲା ଦହନ ।

ଆଶ୍ଵାସିଲେ ମହାଦେବ ଦେବତା ସକଳ

ସୌମ୍ୟକାନ୍ତ ରୂପ କଲେ ଆପଣା ଶରୀର ।

 

ପ୍ରାଚୀ ତଟ ଅର୍କ ତୀର୍ଥେ ହେଲେ ଉପସ୍ଥିତ

ଯୋଗିନୀ ଦର୍ପ ଦଳନେ ହେଲେ ସଂକଳ୍ପିତ ।

ଶୋଭନେଶ୍ଵର ରୂପରେ କରିଣ ଭ୍ରମଣ

ଚାମୁଣ୍ଡା ଦର୍ଶନେ ଶିବ ବଳାଇଲେ ମନ ।

 

ମହେଶ୍ଵର ଛଦ୍ମବେଶ ଜାଣିଲେ ପାର୍ବତୀ

ବରଜିଲେ ଆପଣାର ନରଭକ୍ଷ ମତି ।

ପରିହରି ମାହେଶ୍ଵରୀ ମୋହିନୀର ବେଶ

ମିଳିଲେ କୃତିବାସଙ୍କୁ ପିନ୍ଧି ସାଧା ବେଶ ।

 

ଶଙ୍କର କ୍ରୋଧେ ଗରଜିଲେ ଘନ ଘନ

ମୋର ଅର୍ଦ୍ଧାଙ୍ଗିନୀ ହୋଇ କର ନୀଚ କର୍ମ ।

ସ୍ଵଭୀବେ ତୁ ନାରୀ ହୋଇ ପାପାଚାରୀ ହେଲୁ

କିପରି ପୁରୁଷ ରକ୍ତେ ଆତ୍ମା ତୁଷ୍ଟ କଲୁ ।

 

ଗଉରୀ କହିଲେ ଶିବେ କୋପ ଛାଡ଼ ନାଥ

ଶରଣ ଗଲି ପୟରେ ମୁଁ ନାରୀ ଅନାଥ ।

ଛାଡ଼ିଲେ ଯୋଗିନୀ ବେଶ ମାତା ମାହେଶ୍ଵରୀ

ରହିଲେ ମନ୍ଦିରେ ଚଣ୍ଡ ଘଣ୍ଟା ରୂପ ଧରି ।

 

ମଦ ମାଂସ ଶୋଣିତରେ ଭରିଲେ ଉଦର

ଉଦାର କର୍ମ କରିଣ ଶୋଭନେ ଈଶ୍ଵର ।

ପୂଜିତ ହୋଇଲେ ପୁର ନର ନାରୀ ମେଳେ

ମାନବ ସଂକଟ ଦେବ ଯେଣୁ ଦୂର କଲେ ।

 

ଶୋଭନେଶ୍ୱର ମାର୍ଗରେ ଅର୍କ ତୀର୍ଥ ଅଛି

ରବି ପତ୍ନୀ ଛାୟାଦେବୀ ସ୍ଵାମୀ ସୁଖ ମୂର୍ଛି ।

ଏକାକୀ ରହିଲେ ଦେବୀ ପିତା ଗୃହେ ଯାଇ

ପତ୍ନୀ ବିରହେ ସୁରୁଜ ମୃତ ପ୍ରାୟ ହୋଇ ।

 

ତପ ଆଚରିଲେ ଦେବ ସଂଗମ ତୀର୍ଥରେ

ସ୍ନାନ ସମାପନ ଶେଷେ ପ୍ରାଚୀ ପୁଣ୍ୟ ନୀରେ ।

ମନୋବାଞ୍ଚା ସିଦ୍ଧ ହେଲା ଅର୍କଦେବଙ୍କର

ପତ୍ନୀ ଛାୟାଦେବୀ ସଙ୍ଗେ ମିଳି ପୁନର୍ବାର ।

 

ଦାମ୍ପତ୍ୟ ସୁଖରେ ଅଂଶୁମାନ ସୁଖୀ ହେଲେ

ଅର୍କ ତୀର୍ଥ ଖ୍ୟାତ ହେଲା ସଂଗମର ସ୍ଥଳେ ।

ପିତା, ମାତା, ପତ୍ନୀ, ଭାଇ ସହୋଦର ଜନ

ଯେବେ କରନ୍ତି ମାନବେ ରୋଷେ ବିସର୍ଜନ ।

 

ଅର୍କତୀର୍ଥେ ସ୍ନାନ କରି ତପ ଜପ କଲେ

ମିଳିତ ହୁଅଇ ସେହୁ ଆତ୍ନୀୟ ସୋଦରେ ।

ପ୍ରାଚୀ ସରସ୍ଵତୀ ନଦୀ ଗମି ପୂର୍ବ ତୀରେ

ସୋମନାଥ ମହାଦେବ ଅଧକ୍ରୋଶ ଦୂରେ ।

 

ସେ ପବିତ୍ର ସ୍ଥଳ ଅଟେ ଉତ୍ତରାୟଣୀ ତୀର୍ଥ

ସୋମଦେବ ଅବଗାହୀ କଲେ ତପ ବ୍ରତ ।

କାମେ ମତିଭ୍ରଷ୍ଟ ହୋଇ ଗୁରୁ ପତ୍ନୀ ସାଥେ

ହରିଲେ ଗୁରୁ ପତ୍ନୀଙ୍କୁ ନିଶିରେ ଗୁପତେ ।

 

ଦେବଗଣ ମିଳି ଗଲେ ବୃହସ୍ପତି ଗୃହ

ବଖାଣିଲେ ସୋମଦେବ ପୀରତି ସନ୍ଦେହ ।

କୋପାନଳେ ବୃହସ୍ପତି ଦଗ୍ଧିଭୂତ ହେଲେ

ପକ୍ଷେ ବଢ଼ ପକ୍ଷେ ଛିଡ଼ ଶାପ ତାଙ୍କୁ ଦେଲେ ।

 

କୁଷ୍ଠ ରୋଗେ ପ୍ରପୀଡ଼ିତ ହୁଅ ଦୁରାଚାର

ଖଣ୍ଡ ବିଖଣ୍ଡିତ ହେଉ ତୋ ଦିବ୍ୟ ଶରୀର ।

ବହୁ ଦୁଃଖ କଷ୍ଟ ସୋମଦେବ ଭୋଗ କଲେ

ଗୁରୁ ଶ୍ରୀଚରଣେ କ୍ଷମା ପାଇଁ ତପ କଲେ ।

 

ଭାଷିଲେକ ବୃହସ୍ପତି ମଧୁର ବଚନ

ବ୍ରହ୍ମା ପାଶେ ନିଶାପତି ଯାଅ ହେ ବହନ ।

ତଦନ୍ତରେ ଚନ୍ଦ୍ରଦେବ ବ୍ରହ୍ମାଙ୍କୁ ମିଳିଲେ

ଗୁରୁପତ୍ନୀ ହରଣର ପାପ ବଖାଣିଲେ ।

 

ନିର୍ଦ୍ଦେଶିଲେ ବ୍ରହ୍ମଦେବ ନିଶିପତି ଚାହିଁ

ସ୍ନାନ କର ପ୍ରାଚୀ ନୀରେ ଉତ୍ତରାୟଣୀ ଯାଇ ।

ଅଙ୍ଗେ ଢାଳି ପ୍ରାଚୀ ପୂତ, ଶୁଦ୍ଧ ନୀର ଧାର

ସୋମନାଥ ମହାଦେବ ସ୍ଥଳେ ଧ୍ୟାନ କର ।

 

ଦୁଦୁରା ବିଲ୍ଵପତ୍ରକୁ ତୋଳି ଉଦ୍ୟାନରୁ

ଥାପିବ ମଥାରେ ସୋମନାଥ ପ୍ରଭାତରୁ ।

ଗଭୀର ଧ୍ୟାନ ତପସ୍ୟା କଲେ ଶିବ ସ୍ଥଳେ

ସୋମନାଥ କୃପା କଲେ ସୋମଦେବ ପରେ ।

 

ତାଙ୍କ ଦୟା ବଳୁ କୁଷ୍ଠ ମୁକ୍ତ ହେଲେ ଦେବ

ଉତ୍ତରାୟଣୀ ସୋମତୀର୍ଥ ଖ୍ୟାତ ହେଲା ଭବ ।

ପାପ କର୍ମେ ଲିପ୍ତ ହୋଇ ଏ ଧରାଧାମରେ

ବ୍ରହ୍ମହତ୍ୟା, ନାରୀ ହତ୍ୟା, ଗୋ ହତ୍ୟା ଆଚରେ ।

 

ଶିଶୁ ହତ୍ୟା, ଭ୍ରୁଣ ହତ୍ୟା କରେ ଯେଉଁ ଜନ

ସୋମତୀର୍ଥେ ସ୍ନାନ, ଜପ, କଲେ ଆୟୋଜନ ।

ପାପ ମୁକ୍ତ ହୁଏ ନର ଯାଏ ସ୍ଵର୍ଗପୁର

ସୋମନାଥ ଦରଶନେ ପାଇ ପୁଣ୍ୟ ଫଳ ।

 

ପୂରୁବ ଖଣ୍ଡରେ ଛନ୍ତି ପୂର୍ଣ୍ଣେଶ୍ଵର ଦେବ

ଅସମ୍ଭବ କାମ ସେହୁ କରନ୍ତି ସମ୍ଭବ ।

କିନ୍ତୁ ସାକ୍ଷୀ ରଖି ସେହୁ ସୋମନାଥ ଦେବ

ଥରେ ଶୋଭନ ଈଶ୍ଵର ଦରଶନ ଦେବ ।

 

ସର୍ବଶେଷେ ପୂର୍ଣ୍ଣେଶ୍ଵର କରି ଦରଶନ

ଭକତର ମନକାମ ହୁଅଇ ପୂରଣ ।

 

ଅଗ୍ନି ତୀର୍ଥର ମହିମା

ପ୍ରାଚୀ ତଟିନୀ ନୀରରେ ସ୍ନାନ ମନୋହର

ଯହିଁ ବହେ ପୁଣ୍ୟ ବାରି ସଦା ନିରନ୍ତର ।

ଚମ୍ପକ, ବକୁଳ, ନାଗେଶ୍ୱର ଉପବନ

ମାଳତୀ, ଧବ ଖଦୀର ପାଟଳୀ ପ୍ରସୂନ ।

 

ପୁନାଙ୍ଗ, ଅଶୋକ ବୃକ୍ଷେ ଶୋଭିତ ଏ ସ୍ଥଳ

ବନବାସେ ରାମ, ସୀତା ଦେଖି ଏହି ସ୍ଥଳ ।

ପ୍ରକୃତି ସୁନ୍ଦରୀ ପ୍ରାଚୀ ତଟ ମନୋହର

ଇଚ୍ଛିଲେ ଏ ସ୍ଥାନେ ରଚି ପତର କୁଟୀର ।

 

ସୁଖେ ବିତାଇବେ ଦିନ ଖାଇ ଫଳମୂଳ

ସ୍ନାହାନ କରିବେ ନିତି ପୁଣ୍ୟ ପ୍ରାଚୀ ଜଳ ।

ଭାଇ ଲକ୍ଷ୍ମଣକୁ ରାମ ଦେଲେକ ଆଦେଶ

ନିର୍ମିବାକୁ ପୁଣ୍ୟ ସ୍ଥଳେ ଗୋଟିଏ ଆବାସ ।

 

ଆଜ୍ଞା ପାଇ ଲଇକ୍ଷଣ କଲେକ ନିର୍ମାଣ

ପର୍ଣ୍ଣ କୁଟୀର ଗୋଟିଏ କରିଣ ଯତନ ।

ଘୋର ଅରଣ୍ୟ ସ୍ଥଳରେ ପ୍ରଭୁ ବ୍ରହ୍ମେଶ୍ଵର

ବିରାଜିତ ଥିଲେ ତହିଁ ଲୋକେ ଅଗୋଚର ।

 

ସ୍ନାନ ସମାପନ କରି ପ୍ରଭୁ ବୈଦେହୀଶ

ଫଳ, ବିଲ୍ୱପତ୍ରେ ଭକ୍ତ ପୂଜିଲେ ଉମେଶ ।

ପରକାଳେ ବ୍ରହ୍ମେଶ୍ଵର ନାମ ବଦଳିଲା

ରାମେଶ୍ଵର ମହାଦେବ ନାମ ଖ୍ୟାତ ହେଲା ।

 

କି କହିବି ଏ ସ୍ଥାନର ମହତ୍ୱ ଗରିମା

କରି ରାମ ଯଜ୍ଞ ରହିଥିଲେ ମହାମନା ।

ପ୍ରାଚୀ ତଟିନୀର ଗର୍ଭେ ସ୍ତମ୍ଭ ବିଦ୍ୟମାନ

ଯଜ୍ଞରତ ଥିଲେ ରାମ, ଅନୁଜ ଲକ୍ଷ୍ମଣ ।

 

ପିତା ଦଶରଥ ବୀର ଗମି ବନ ଘୋର

ମୃଗୟା ବିନୋଦେ ଥିଲେ ରାଜା ତତ‍‍ପର ।

ଅଚାନକ ଶରବିଦ୍ଧ କଲେ ବ୍ରହ୍ମ ମୁନି

ବ୍ରହ୍ମହତ୍ୟା ପାପେ ଅଭିଶପ୍ତ ହେଲେ ଜ୍ଞାନୀ ।

 

ସର୍ବ ତପ, ଜପ, ଯଜ୍ଞ, ସତ୍ୟ, ନିଷ୍ଠା ଫଳ

ସ୍ତ୍ରୀ, ମଦ, ମୃଗୟା ହେଲା ତାଙ୍କ ପାଇଁ କାଳ ।

ପାପ ଭାଗୀ ହେଲେ ଯହୁଁ ଅଯୋଧ୍ୟା ନରେଶ

ଯମପୁରେ ଯମରାଜ ହେଲେ ତହୁଁ ରୋଷ ।

 

ଆଦେଶିଲେ ଦୂତଗଣେ ବେଗ ହୋଇ ଯାଅ

ପ୍ରେତ ଦଶରଥ ଧରି ଦଣ୍ଡମାନ ଦିଅ ।

ସର୍ବ ପୁଣ୍ୟ ଫଳ ତାଙ୍କ ହୋଇଛି ବିଫଳ

ବ୍ରହ୍ମ ହତ୍ୟା ଅଟେ ତାଙ୍କ ଭାଗ୍ୟ ମନ୍ଦ ଫଳ ।

 

ଅରଜିଲା ପାପ କର୍ମ ଫଳ ପାଇ ରାଜା

ଯମପୁରେ ପାଇବେ ସେ ଅସରନ୍ତି ସଜା ।

ଆଜ୍ଞା ପାଇ ଯମଦୂତ ଅଯୋଧ୍ୟା ନଗରେ

ମିଳିଲେ ଦଶରଥଙ୍କୁ ଦେହାନ୍ତର କାଳେ ।

 

ଚମର ଦଉଡ଼ି ଧରି ଯମଦୂତ ଦଳ ।

ବନ୍ଧନ କଲେ ଯତନେ ଅଯୋଧ୍ୟାଧୀଶ୍ଵର ।

କିନ୍ତୁ କେତେ ଯମଲୋକ ଜାଣି ପୁଣ୍ୟଫଳ

ରାଜାଙ୍କ ଦୁଃଖ ଦେଖି ହୋଇଲେ ବିକଳ ।

 

କହିଲେ ମୁକତି ବାଟ କହୁଛୁ ତୁମ୍ଭଙ୍କୁ ।

ଯେତେ ତୁମ୍ଭେ ଯିବ ଟୋଲା ପ୍ରାଚୀର କୂଳକୁ ।

ତୁମ୍ଭ ପୁତ୍ର ରଘୁବୀର ଶ୍ରୀରାମ ଲକ୍ଷ୍ମଣ ।

ସୀତାଦେବୀ ସାଥେ ରଚି ସେ ସ୍ଥାନେ ଆଶ୍ରମ ।

 

ବନବାସ କାଳ ତହିଁ ବିତାନ୍ତି ଖୁସିରେ

ଯଦି ତୁମ୍ଭ ପିଣ୍ଡଦାନ ଦ୍ୟନ୍ତି ନିଜ କରେ ।

ପ୍ରାଚୀ ପୁଣ୍ୟ ଜଳେ ତିଳ ଅର୍ପଣ କରିଲେ

ତୁମ୍ଭେ ହେବ ଶାପ ମୁକ୍ତ କହୁଛୁ ସତ୍ୱରେ ।

 

ଯମ ଅନୁମତି ଲଭି ଦଶରଥ ପ୍ରେତ

ଭୟଙ୍କର ମେଘବର୍ଣ୍ଣ ରୂପ ଆଚମ୍ବିତ ।

ଦେଖିଣ ରାମ ଲକ୍ଷ୍ମଣ, କଳାସୁର ଭାବି

ତୀକ୍ଷ୍ଣ ଶରେ ବଧ ପାଇଁ ଚଳାଇଲେ ଲବି ।

 

କୁରୁପ ପ୍ରେତ ପୁରୁଷ ଦଶରଥ ବୀର

ପୁତ୍ର ସମ୍ବୋଧନ କରି କହି ମଧୁ ଗୀର ।

ସ୍ଵପ୍ନାଦେଶ ଦେଲେ ପୁତ୍ର ହକାରି ପାଶର

ଏପରି ଦଶା ମୁଁ ଭୋଗେ ପାପ କର୍ମଫଳେ ।

 

ମୋର ପିଣ୍ଡ ଦାନ ଦେଲେ ପ୍ରାଚୀ ନୀର ଧାରେ

ପାପମୁକ୍ତ ହୋଇ ଚଳିଯିବି ସ୍ଵର୍ଗପୁରେ ।

ପିତାଙ୍କର ଦଶା ଦେଖୁ ଧର୍ମବୀର ରାମ

ପିଣ୍ଡଦାନ, ଯଜ୍ଞ ତପେ ବଳାଇଲେ ମନ ।

 

ମର୍ଯ୍ୟାଦା ପୁରୁଷ ରାମ ବିଷ୍ଣୁ ଅବତାର

ତପ, ଯଜ୍ଞ, ପିଣ୍ଡ ଦାନୁ, ପାଇ ପୁଣ୍ୟ ଫଳ ।

ଶାପ ମୁକ୍ତ ହେଲେ ମୃତ ଦଶରଥ ପ୍ରେତ

ପ୍ରାଚୀ ଜଳ ସ୍ପର୍ଶେ ପାପୁ ହୋଇଲେ ମୁକତ ।

 

ସ୍ୱର୍ଗେ ଚଳିଗଲେ ଚଢ଼ି ବିଷ୍ଣୁ ଦିବ୍ୟ ରଥ

ଏ କଥା ପୁରାଣ ପରେ ହୋଇଛି ବର୍ଣ୍ଣିତ ।

ବିଷ୍ଣୁ କୃପା ଫଳ ପାଇ ଅଯୋଧ୍ୟା ରାଜନ

ଆନନ୍ଦେ ଦିନ ବାହିଲେ ସ୍ଵର୍ଗପୁର ଧାମ ।

 

ଏ ବଣ ଅଗ୍ନି ତିରଥେ ଯେବେ ପ୍ରାଣୀ ନର

ସ୍ନାନ, ଧ୍ୟାନ, ଜପ, ତପ କରେ ନିରନ୍ତର ।

ସକଳ ପାପରୁ ମୁକ୍ତି ଲଭେ ସେହି ନର

ଏ ଗୁଢ଼ ରହସ୍ୟ ଅଛି ପ୍ରାଚୀ ପୁଣ୍ୟଧାର ।

 

ମୃତ୍ୟୁତୀର୍ଥର ମହାତ୍ମ୍ୟ

ପ୍ରାଚୀ ପୁଣ୍ୟତୋୟା ଦକ୍ଷିଣ ତୀରରେ

ନିଭରଣ ଗ୍ରାମ ଗ୍ରାମେଶ୍ୱର ହରେ ।

ଗଦାଧର ଚତୁର୍ଭୁଜ ଦେବ ହରି

ସ୍ଥାପିଲେ ଏ ମୂର୍ତ୍ତି ପୁରୁରବା ବରି ।

 

ହରିହର ପୀଠ ନାମେ ହେଲା ଖ୍ୟାତ

ଅତି ମନୋରମ ଘେରା ବନ, କ୍ଷେତ ।

କୁଳୁକୁଳୁ ନାଦେ ପ୍ରାଚୀ ଯାଏ ବହି

ଏ ବଣ ସ୍ଥାନକୁ ମୃତ୍ୟୁ ତୀର୍ଥ କହି ।

 

ଯହିଁ ବିରାଜିତ ଶିବ ମହାଦେବ

ସାକ୍ଷୀ ରୁପେ ବିଜେ ଅଛନ୍ତି ମାଧବ ।

ଏକାଦଶ ଅବ୍ଦ କୀର୍ତ୍ତି ଗ୍ରାମେଶ୍ୱର

ଦ୍ଵାଦଶ ଶମ୍ଭୁରେ ଷଷ୍ଠ ମହେଶ୍ଵର ।

 

ବୁଦ୍ଧ, ଅଷ୍ଟଭୂଜା ଦୁର୍ଗା କାର୍ତ୍ତିକେୟ

ତ୍ରିବିକ୍ରମ ବିଷ୍ଣୁଃ ପାର୍ବତୀ ତନୟ । .

ଗଣଦେବଙ୍କର ବିଜେ ସ୍ଥାନ ଏହି

ଏ ପବିତ୍ର ସ୍ଥାନ ବିଶ୍ଵ ଧାମେ ନାହିଁ ।

 

ବ୍ରହ୍ମାଙ୍କ ତନୟା ମୃତ୍ୟୁ ମହାଦେବୀ ।

ତପ ଆଚରିଲେ ଶିବ ପାଦ ସେବି ।

ମୃତ୍ୟୁ ଦେବୀଙ୍କର ବହି ଶୁଭ ନାମ

ଏ ସ୍ଥାନର ନାମ ମୃତ୍ୟୁ ତୀର୍ଥ ଧାମ ।

 

ଏଠାରେ ଯେବଣ ନର ନାରୀ ସ୍ନାନ

କରିଥାନ୍ତି ହର, ହରି ଦରଶନ ।

ସପ୍ତକୁଳ ତାଙ୍କ ହୁଅନ୍ତି ଉଦ୍ଧାର

ମୃତ୍ୟୁ ପରେ ଚଳିଯାନ୍ତି ସ୍ଵର୍ଗପୁର ।

 

ଲଭିବ ତୃପତି ଜ୍ଞାନ ଏଠି ନର

ସ୍ନାନ ଯୋଗ ମିଳେ ଏହି ତୀର୍ଥ ସ୍ଥଳ ।

ବହୁକାଳ ଶିବ, ଗିରିବାଳା ସତୀ

ଚିନ୍ତିଲେ ଅନ୍ୟତ୍ର ଗମିବେ ଝଟତି ।

 

ମିଳିଲେ ପ୍ରାଚୀର ଦିବ୍ୟ ପୁଣ୍ୟ ସ୍ଥଳ

ସୁଖେ ସ୍ନାନ କଲେ ଉମା, ମହେଶ୍ୱର ।

ଫଳ, ମୂଳ ବନ ସମ୍ପଦରେ ଭରା

ଦୃଶ୍ୟ ଦରଶନେ ହେଲେ ଆତ୍ମହରା ।

 

ରଚିଲେ ସୁନ୍ଦର ନିଳୟ ସେଠାର

ଉମା ସାଥେ ହର କଟାଇଲେ କାଳ ।

ସୋମେଶ୍ୱର ନାମେ ହେଲେ ତ ବିଖ୍ୟାତ

ତପୀ ସୁଦର୍ଶନ ଦ୍ୱିଜ ଉପସ୍ଥିତ ।

 

ଏ ସ୍ଥାନରୁ ଏକ କୋଶେ ଦୂର ରହି

ଧ୍ୟାନ, ନିମଗନ ହେଲେ ରହି ତହିଁ ।

ଇନ୍ଦ୍ରଦେବ ଧରି ବ୍ରାହ୍ମଣର ବେଶ

ଦ୍ୱିଜ ତପ ସ୍ଥଳେ ହେଲେ ଉପସ୍ଥିତ ।

 

ଦ୍ୱିଜଙ୍କୁ ମାଗିଲେ ଅନ୍ନ ଦେବ ବର

କ୍ଷୁଧା ନିବାରଣ କରିବେ ଉଦର ।

ତପସ୍ଵୀ ବ୍ରାହ୍ମଣ ଅନ୍ନ ଫଳ ହୀନ

କରିବ କିପରି ଅତିଥି ସେବନ ।

 

କାହୁଁବା ଆଣିବ ଅରଣ୍ୟରୁ ଅନ୍ନ

ଭାବି ଭାବି ହେଲା ଦ୍ଵିଜ ବୁଦ୍ଧି ଶୂନ୍ୟ ।

ପ୍ରାଚୀ ନଦୀ ଧାରେ ବେଗେ ଗଲା ଚଳି

ଦୁଇ ହାତେ ଧରି ସଲୀଳ ଅଞ୍ଜଳି ।

 

ଅରପିଲା ନେଇ ଅତିଥି ଈଶ୍ଵର .

ମେଣ୍ଟିଲାନି କ୍ଷୁଧା ଅତିଥି ଉଦର ।

ଏକାଳେ ମାଧବ ମିଳିଲେ ସେ ସ୍ଥଳେ

ଦ୍ୱିଜଙ୍କ ଦୂରିତ ହରିବା ଆଶାରେ ।

 

ହକାରି ଇନ୍ଦ୍ରଙ୍କୁ ପ୍ରଭୁ ନିଜ ପାଶ

କହିଲେ ଦେବଙ୍କୁ ଜଳେ ହୁଅ ତୋଷ ।

ବିଷ୍ଣୁ ଅନ୍ତର୍ଦ୍ଧାନ ହୋଇଲେ ସେଠାରୁ

ସୁଦର୍ଶନ ତୀର୍ଥ ନାମ ସେ କାଳରୁ ।

 

ପ୍ରକୃତି ସୁନ୍ଦରୀ ସ୍ଥାନ ମନୋରମ

ବିଶ୍ଵ ବ୍ରହ୍ମାଣ୍ଡରେ ଖ୍ୟାତ ପ୍ରାଚୀ ନାମ ।

ପୁରୁବ ବୈଭବ, ପୁରୁବ ଗୌରବ

ଅସମ୍ଭବ ଏବେ କରିନେବା ଠାବ ।

 

କାଳର କରାଳେ ହୋଇ ବ୍ୟାଧିଗ୍ରସ୍ତ

ଲୁପ୍ତ ପ୍ରାୟେ ଏବେ ପ୍ରାଚୀ ନଦୀ ସ୍ରୋତ ।

ତିରଥ ରହିଛି ନାହିଁ ପ୍ରାଚୀ ଜଳ

ମଠ ଓ ମନ୍ଦିର ଅଛି ସବୁ ସ୍ଥଳ

 

କର୍ପୂର ଉଡ଼ିଛି କନା ପଡ଼ିଅଛି

ପୂରୁବ ଗୌରବ ଜନତା କହୁଛି ।

ନିଭରଣର ଅନତି ଦୂରରେ

ପୂରରବା ତୀର୍ଥ ତହିଁ ବିଜେ କରେ ।

 

ପୁରାଣ ପୃଷ୍ଠାକୁ କଲେ ଉନ୍ମୋଚନ

ଏ ତୀର୍ଥ ରହସ୍ୟ ହୃଦେ ଦିଏ ଜ୍ଞାନ ।

 

ତ୍ରେତୟା ଯୁଗରେ ପୁରୁରବା ବୀର

ପଥ ହୁଡ଼ି ଉଭା ହେଲେ ପ୍ରାଚୀ ସ୍ଥଳ ।

ମୃଗୟା ବିନୋଦେ ଆସିଣ ରାଜନ

ପ୍ରାଚୀ ତୀରେ କଲେ ସୁଖେ ଅବସ୍ଥାନ ।

 

ପ୍ରାଚୀ ପୁଣ୍ୟ ନୀରେ ଅବଗାହୀ ବୀର

ଶୂନ୍ୟରୁ ଶୁଣିଲେ ଅଶରୀରି ଗୀର ।

ଗ୍ରାମେଶ୍ୱର ଶିବ ଏକାନ୍ତେ ଏ ସ୍ଥଳେ

ସାକ୍ଷୀ ରୂପେ ବିଷ୍ଣୁ ନାହାନ୍ତି ବୋଇଲେ ।

 

ବିଷ୍ଣୁ ମୂର୍ତ୍ତିଟିଏ ଆଣି ନରରାଣ

ଗ୍ରାମେଶ୍ୱର ଶିବ ପାଶେ ଦିଅ ସ୍ଥାନ ।

ଆଜ୍ଞା ପାଇ ରାଜା ପୁରୁରବା ବୀର

ପ୍ରସ୍ତରେ ନିର୍ମିଲେ ମଞ୍ଜୁଳ ମନ୍ଦିର ।

 

ଭିତରେ ସ୍ଥାପିଲେ ବିଷ୍ଣୁ ଭଗବାନ

ସ୍ଵଦେହେ ଗମିଲେ ରାଜା ଦେବ ସ୍ଥାନ ।

ପୁରୁରବା ତୀର୍ଥ ତାଙ୍କ ନାମ ବହି

ପ୍ରାଚୀ ତଟେ ଅଛି ଏବେ ତାହା ରହି ।

 

ବନବାସ କାଳେ ଯୁଧିଷ୍ଠିର ବୀର

ପାଞ୍ଚ ଭ୍ରାତୃମେଳେ ମିଳିଲେ ଏ ସ୍ଥଳ ।

ଉତ୍କଳ ଭୁବନେ ସ୍ଥାନ ମନୋରମ

ଇଚ୍ଛିଲେ ରଚିବେ କୁଟୀର ଏ ସ୍ଥାନ

 

ପ୍ରାଚୀ ପୁଣ୍ୟ ଜଳେ ନିତି କରି ସ୍ନାନ

ମାଧବାନନ୍ଦଙ୍କୁ କରିବେ ଦର୍ଶନ ।

ତା’ପରେ ଭୁଞ୍ଜିବେ ଅନ୍ନ, ଜଳ, ଫଳ

ଦେଖିଲେନି ଯୁଧି କାହିଁ ବିଷ୍ଣୁ ସ୍ଥଳ ।

 

ଆଦେଶିଲେ ଭାଇ ଭୀମସେନ ବୀର

ବିଷ୍ଣୁ ମୂର୍ତ୍ତିଟିଏ ଆଣ ହେ ସତ୍ୱର ।

ଗ୍ରାମେଶ୍ୱର ଶିବ ସ୍ଥଳେ ଦିଅ ସ୍ଥାନ

ପୂଜି ବିଷ୍ଣୁ ଦେବ କରିବି ଭୋଜନ ।

 

ଏରଣ୍ଡଙ୍କ ଦୈତ୍ୟ ସ୍ଥାପି ପ୍ରାଚୀ ଧାରେ

ବିଷ୍ଣୁ ବିଗ୍ରହଙ୍କୁ ଜଗୁଥିଲା ଜଳେ ।

ଧ୍ୟାନ, ତପସ୍ୟାରେ କାଟୁଥିଲା କାଳ

ତୃତୀୟ ପାଣ୍ଡବ ଜାଣି ଏ ଖବର ।

 

ବେଗେ ଚଳିଗଲେ ଦାନବର ପୁର

ପରାଜିତ କଲେ ଏରଣ୍ଡ ଅସୁର ।

ଚତୁର୍ଭୁଜ ବିଷ୍ଣୁ ଦେବ ମୂର୍ତ୍ତି ଆଣି

ସ୍ଥାପିଲେ ବିଗ୍ରହ ମନ୍ଦିର ନିର୍ମାଣି ।

 

ବିଷ୍ଣୁ ପୂଜା, ଧ୍ୟାନ କରି ସମାପନ

ଯୁଧିଷ୍ଠିର ବୀର ଭକ୍ଷୁଥୁଲେ ଅନ୍ନ ।

ଦୁଇଟି ମତରୁ କେଉଁ ମତ ସତ

କହିବା ଏ କଥା ରହିଛି ଗୁପତ ।

 

ଅନୁସନ୍ଧାନରେ ଏହି ଧ୍ରୁବ ବାଣୀ

ଭବିଷ୍ୟତ କାଳେ ହେବ ତାହା ଜାଣି ।

 

ଗୋକର୍ଣ୍ଣେଶ୍ୱର ବା ମଣିକର୍ଣ୍ଣିକା ତୀର୍ଥର ମହାତ୍ମ୍ୟ

ସରସ୍ଵତୀ, ପ୍ରାଚୀ (ମଣି) କର୍ଣ୍ଣିକାର ଧାର

ଯହିଁ ମିଳିଛନ୍ତି ଅନ୍ତାକ୍ଷରୀ ସ୍ଥଳ ।

ମାଘ ସପ୍ତମୀର ପୁଣ୍ୟ ଦିନ ପାଇ

ଲକ୍ଷେ ଯାତ୍ରୀଗଣ ଧାଇଯାନ୍ତି ତହିଁ ।

 

ସ୍ଵାହାନ, ଭଜନ, ଦରଶନ କରି

ମରିଚି କୁଣ୍ଡକୁ ଯା’ନ୍ତି ବେଗେ ଚଳି ।

ଗୋକର୍ଣ୍ଣେଶ୍ଵରଙ୍କୁ କରି ଦରଶନ

ଗୋହତ୍ୟା ପାପକୁ କରନ୍ତି ଖଣ୍ଡନ ।

 

ନରେ ସ୍ଵର୍ଗଧାମ କରନ୍ତି ଗମନ

ଅତି ପୁଣ୍ୟ ଧାମ ଗୋକର୍ଣ୍ଣିକା ନାମ ।

ତିନି ନଦୀଙ୍କର ସଂଗମ ଏ ସ୍ଥଳ

ତ୍ରିବେଣୀ ନାମଟି ରହିଛି ଏହାର ।

 

ବିଲେଶ୍ଵର ମହାଦେବ ବିଷ୍ଣୁ ଥାଇ

ଅନ୍ତାକ୍ଷରୀ ମଠ ମଧ୍ୟେ ପୂଜା ପାଇ ।

ଗୋକର୍ଣ୍ଣେଶ୍ଵରର ମହାଦେବ ତୀର୍ଥ

ବିଲେଶ୍ଵର ପାଶେ ଅଛି ମାତା ତୀର୍ଥ ।

 

ପୁରା କୋଳେ ମାତୃଗଣ ସର୍ବେ ମିଳି

ଦାନବଙ୍କ ସଙ୍ଗେ ଆରମ୍ଭିଲେ କଳି ।

ଦାନବଙ୍କୁ ଯୁଦ୍ଧେ କଲେ ପରାଜିତ

ମାତୃତୀର୍ଥ ନାମେ ସ୍ଥାନ ହେଲା ଖ୍ୟାତ ।

 

ସପ୍ତ ମାତୃକାଙ୍କ ବାସ ଏହି ସ୍ଥଳ

ଗଙ୍ଗାଠୁ ପବିତ୍ର ଏହି ପ୍ରାଚୀ ଜଳ ।

ବିଲେଶ୍ଵର ଠାରୁ ଗୋକର୍ଣ୍ଣେଶ୍ଵର

ଅନ୍ତର୍ଭୁମୀ ନାମେ ଖ୍ୟାତି ଏହି ସ୍ଥଳ ।

 

ଅନ୍ତର୍ବେଦୀ ନାମେ ଜଗତେ ବିଖ୍ୟାତ

ସରସ୍ଵତୀ ନଦୀ ଏ ସ୍ଥାନେ ଗୁପତ ।

ଅମାବାସ୍ୟା ଦିନ ତ୍ରିବେଣୀ ଘାଟରେ

ପ୍ରାଚୀ, ସରସ୍ଵତୀ, ଗଙ୍ଗା ବିଜେ କରେ ।

 

ଶୁନ୍ୟରୁ ଝରଇ ଜଳ ନିରନ୍ତର

ତ୍ରିବେଣୀ ଘାଟର ମହିମା ଅପାର ।

 

ଅପ୍‌ସରା ତୀର୍ଥ ବର୍ଣ୍ଣନ

ମୁଦ୍‌ଗଲ ମାଧବ ଗ୍ରାମଠାରେ ପ୍ରାଚୀ

ଅପସରା ତୀର୍ଥର ନାମଟି ବହିଛି ।

ଏ ସ୍ଥାନେ ବିରାଜି ତପୀ ଚିର ମୁନି

ନିମଜିଲେ ତପେ ପ୍ରାଚୀ ଜଳ ଘେନି ।

 

ସରଗ ପୁରର ରାଜା ଇନ୍ଦ୍ରଦେବ

ଭୟେ ଥରହର ପାଇ ମୁନି ଠାବ ।

ପେଷିଲେ ଅପସରୀ ପ୍ରମ୍ନୋଚା ସୁନ୍ଦରୀ

ପ୍ରାଚୀ ନଦୀ ତୀର ମୁନୀ ତପ ସ୍ଥଳୀ ।

 

ରୂପ ସଉରଭ, ଶୋଭା ମାଧୁରୀରେ

ଭଗ୍ନ କର ତପ ବେଗେ ମୁନୀ ବରେ ।

ପ୍ରମ୍ନୋଚା ତରୁଣୀ ରମ୍ୟା ସୁକୁମାରୀ .

ପ୍ରାଚୀ ତୀରେ ରାଧା ତନୁଶ୍ରୀ ସୁନ୍ଦରୀ ।

 

ରୂପ ଲାବଣ୍ୟକୁ କରି ପ୍ରଦର୍ଶନ

ହରିଲା ମୁନୀଙ୍କ ତପୋନିଷ୍ଠ ମନ ।

ତନ୍ମୟ, ଚକିତେ ମୁନୀ ଶିରୋମଣି

ରମଣୀ ରମଣେ ହେଲେ ହତ ଜ୍ଞାନୀ ।

 

ବିରଚିଲେ ପ୍ରୀତି ପ୍ରମ୍ନୋଚା ଅପ୍‌ସରୀ

ତପ, ଜପ, ଧାନ ସବୁ ଗଲେ ଭୁଲି ।

ରମଣୀ ରତନ ତୀବ୍ର କାମ ବାଣେ

ହେଲେ ପଥ ଭ୍ରଷ୍ଟ ତପସ୍ଵୀ ଆପଣେ ।

 

ସରଗର ସୁଖ ଠାରୁ ଶ୍ରେଷ୍ଠ ଭାବି

ଅପ୍‌ସରୀ ରୂପରେ ହୃଦ ଗଲା ଦ୍ରବି ।

କିଛି କାଳ ଅନ୍ତେ ଜ୍ଞାନ କଲେ ଠୁଳ

ଜାଣିଲେ ଅପ୍‌ସରୀ ଇନ୍ଦ୍ର ଦେବଙ୍କର ।

 

ଅଗ୍ନି ପରି ହୋଇ କ୍ରୋଧେ ଜର୍ଜରିତ _

ଶାପଗ୍ରସ୍ତ କଲେ ଅପ୍‌ସରୀ ଅହିତ ।

ମାୟାବୀ ତନୁଶ୍ରୀ ଅପ୍‌ସରୀ ସୁନ୍ଦରୀ .

କୁମ୍ଭୀରେ ବଦଳୁ ତୋର ତନୁ ଶିରୀ ।

 

ଭୟେ ପ୍ରକ୍ୱମ୍ପିତ ପ୍ରମ୍ନୋଚା ସୁନ୍ଦରୀ

ନ ହୁଅ ନିର୍ଦ୍ଦୟ ମୁନି ବ୍ରହ୍ମଚାରୀ ।

ଅଭିଶାପୁଁ ମୁକ୍ତି ଦିଅ ଦ୍ୱିଜବର

କେତେ କାଳ ଭ୍ରମୁଥୁବି ପ୍ରାଚୀ ନୀର ।

 

ଦୟା ବହି ତପୀ ରମଣୀ ବିନୟେ

ତ୍ରେତୟା ଯୁଗରେ ଅଯୋଧ୍ୟା ତନୟେ ।

ପିତା ଦଶରଥ ପିତୃ ସତ୍ୟ ପାଳି

ବନବାସ କାଳେ ଧନୁ ତୀର ମାରି ।

 

ମଧ୍ୟଜ ଲକ୍ଷ୍ମଣ ଶାପୁ ଉଦ୍ଧାରିବେ

ସ୍ଵର୍ଗଧାମେ ଯିବୁ ଭେଟି ତୁ ମାଧବେ ।

ସିଦ୍ଧେଶ୍ଵର ଦେବ ପୀଠ ପାଶେ ଥିବୁ

ସେ କାଳେ ତୁ ବାଳା ଶାପମୁକ୍ତ ହେବୁ ।

 

ଅପ୍‌ସରାଙ୍କ ନାମେ ତୀର୍ଥ ନାମ ଜାଣ

ଏ କଥା ବଖାଣେ ପଦୁଅଁ ପୁରାଣ ।

 

ମୁକ୍ତିତୀର୍ଥର ମହିମା

ମୁକ୍ତେଶ୍ଵର ଶିବ ସ୍ଥଳେ ମୁକ୍ତି ତୀର୍ଥ

ଗୋମୁଖୀ କେଶବ ତହିଁ ବିରାଜିତ ।

ସେ ତୀର୍ଥେ ଯେ ଜନ କରିଥାଏ ସ୍ନାନ

ବିଧାତା ସେ ଜନେ ଦ୍ୟନ୍ତି ମୁକ୍ତି ଦାନ ।

 

ଜନମ ମରଣ ବନ୍ଧନ ନ ରହେ

ମୃତ୍ୟୁ ପରେ ସେହୁ ବିଷ୍ଣୁ ଧାମ ଯାଏ ।

ପୂର୍ବ କାଳେ କାଶୀ ନାରାୟଣ ବିପ୍ର

ପତ୍ନୀ, ପୁତ୍ର, ସାଥେ କାଶୀର ସମୀପ

 

କାଳ କାଟୁଥୁଲା ପରିବାର ମେଳେ

ଯମକୁ ଭେଟିଲା ଯୁବାବସ୍ଥା କାଳେ ।

ପାଞ୍ଚ ବରଷର ନନ୍ଦନକୁ ଛାଡ଼ି

ବିପ୍ର ପତ୍ନୀ ବେଗେ ହୋଇଲା ଦୋଚାରୀ ।

 

ବହୁ ପୁରୁଷଙ୍କ ସାଥେ କରି ପ୍ରୀତି

କୁଳଟା ରୂପରେ ବଦଳିଲା ସତୀ ।

ଭୂମି, ଗ୍ରାମ ପୁଣି ସହର ବଜାର

ଶେଷେ ପହୁଞ୍ଚିଲା ପ୍ରାଚୀ ନଦୀ ତୀର ।

 

ମୁକ୍ତିତୀର୍ଥ ମୂଳେ ଅଟ୍ଟାଳିକା ତୋଳି .

ତହିଁ ବିତାଇଲା ଦିବସ ସର୍ବରୀ ।

କାଶୀ ଧାମେ ପୁତ୍ର ବାଳୁତ ନନ୍ଦନ

କଷ୍ଟେ ବିତାଇଲା ସ୍ଵଗୃହେ ରହିଣ ।

 

ଦାନ, ଦକ୍ଷିଣାରୁ କିଛି ଅର୍ଥ ପାଇ

ବର୍ଷ ବିତାଇଲା କାଶୀ ଧାମେ ରହି ।

ପନ୍ଦର ବରଷେ ହେଲା ପଦାର୍ପଣ

କନ୍ଦର୍ପଙ୍କ ପରି ଲଭିଲା ଯୌବନ ।

 

ଗୃହତ୍ୟାଗୀ ବିପ୍ର ଚନ୍ଦ୍ରଭାଗା ତୀରେ ।

ପ୍ରବେଶିଲା ମାତା ଦେବୀଙ୍କ ଗୃହରେ

ସୁଖେ କଟାଇଲେ ରହି ବେନି ଜନ

ପୁତ୍ର, ମାତା ବୋଲି ହୃଦେ ନ ଜାଣିଣ ।

 

ମାତା ରୂପମୟୀ ରୂପ ଗୁଣେ ମୋହି

ଅନୀତି ପୀରତି ଆଚରିଲା ରହି ।

ମାତା, ପୁତ୍ରଙ୍କର ଅବୈଧ ପ୍ରଣୟ

କୁଷ୍ଠ ବ୍ୟାଧ୍ଵଗ୍ରସ୍ତ ହୋଇଲା ତନୟ ।

 

ରାତ୍ରିକାଳେ କୁଷ୍ଠ ରୋଗ କଲା ଗ୍ରାସ

ପ୍ରାତଃ ସ୍ନାନ କଲା ମୁକ୍ତିତୀର୍ଥ ପାସ ।

ପୂର୍ବ ରୂପ କାଢି ସୌମ୍ୟ ରୂପ ଭରି

ପୁତ୍ର ବିହରିଲା ମୁକ୍ତିଧାମ ଧରି ।

 

ଏପରି ବିଚିତ୍ର ଲୀଳା ତପୀ ବର

ଗୌତମ ମହର୍ଷି ଜାଣି ଏ ଖବର ।

ହକାରି ଜନନୀ, ପୁତ୍ର ନିଜ ପାସ

ବଖାଣିଲେ କୁଷ୍ଠ ରୋଗର ସନ୍ଦେଶ ।

 

ଅନୁତପ୍ତ ହେଲେ ମାତା, ପୁତ୍ର ଦୁଇ

ମଥା ଲଗାଇଲେ ମୁନି ପଦେ ଯାଇ ।

କ୍ଷମା କର ଆମ ପାପ କର୍ମ ପାଇଁ ’

ଏପରି ପୀରତି ତେଜିବୁ ଗୋସାଇଁ ।

 

ବର ଦିଅ ଦେବ ଆମେ ହେବୁ ମୁକ୍ତ

ସବୁକାଳେ ହେବୁ ତୁମର ଭକତ ।

ଦୟା ପରବଶ ହୋଇ ଋଷିବର

ଆଦେଶିଲେ ବେଗେ ତୀର୍ଥେ ସ୍ନାନ କର ।

 

ରୋଗ ମୁକ୍ତ ହୋଇ ବ୍ରାହ୍ମଣ ସନ୍ତାନ

ଆଧ୍ୟାତ୍ମିକ ଦିଗେ ବଳାଇଲା ମନ ।

ମାତା ଅବଗାହୀ ମାଘ ସପ୍ତମୀରେ

ପାପୁଁ ମୁକ୍ତ ହେଲା ଋଷିଙ୍କ ଦୟାରେ ।

 

ନାରଦ ମହର୍ଷି ଆଦେଶକୁ ପାଇ

ଶାମ୍ବ ଧାଇଁଥିଲେ ମୁକ୍ତିତୀର୍ଥ ପାଇଁ ।

ମାଘ ସପ୍ତମୀରେ ପ୍ରାଚୀ ଜଳେ ଯାଇ

ସ୍ନାନ, ଧ୍ୟାନ, ଦାନ କଲେ ତହିଁ ରହି ।

 

କୁଷ୍ଠ ବ୍ୟାଧି ମୁକ୍ତ ହେଲେ ବୀରବର

ଫେରି ଯାଇଥିଲେ ଗୋବିନ୍ଦଙ୍କ ପୁର ।

 

ପ୍ରାଚୀତଟର ଧର୍ମ ସ୍ଥଳ

ସଭ୍ୟତା ଚରମ ଶିଖରରେ ପ୍ରାଚୀ

ଇତିହାସ ପୃଷ୍ଠା ଉଜ୍ଜ୍ଵଳ କରିଛି ।

ଶୈବ, ଶାକ୍ତ, ବୌଦ୍ଧ, ବୈଷ୍ଣବ ସଭ୍ୟତା

ଜୈନ, ମୁସ୍‌ଲିମ, ରାମାୟଣ ଗାଥା ।

 

ଲକ୍ଷ୍ମୀ ନାରାୟଣ, ବରାହ ବିଗ୍ରହ

କୃଷ୍ଣ, ନାରାୟଣୀ, ଅବତାର ଦ୍ୱୟ ।

ପ୍ରାଚୀ ତଟେ ଥିଲା ପୂର୍ବେ ବିରାଜିତ

ଜଳ ଧାରେ ବୋହି ବିଦେଶେ ବୋଇତ ।

 

ସାଧବ ନନ୍ଦନ ଦୂର ଦେଶ ଯାଇ

ଅପର୍ଯ୍ୟାପ୍ତ ଧନ ଆଣୁଥିଲେ ବାହି ।

ସୌଭାଗ୍ୟ ମଣ୍ଡିନୀ ପରାଚୀ ସଭ୍ୟତା

ଥିଲା ତପ ସ୍ଥଳୀ ଋଷି ଓ ଦେବତା ।

 

ପଦ୍ମ, ପ୍ରାଚୀ ପୁରାଣର ପୃଷ୍ଠା ଖୋଲି

ଭକତ ପାଆନ୍ତି ପ୍ରାଚୀ ପୁଣ୍ୟ ସ୍ଥଳୀ ।

ଦୂର୍ଗ, ଗଡ଼ କଥା ଇତିହାସ କହେ

ଶକ୍ତିଶାଳୀ ଥିଲେ ଉତ୍କଳର ପୁଏ ।

 

ଗଙ୍ଗାଠାରୁ ଗୋଦାବରୀ ପରିଯନ୍ତ

ଓଡ଼ିଶାର ସୀମା ବିଶାଳ ବିସ୍ତୃତ ।

ବନବାସ କାଳେ ପାଣ୍ଡବ ନନ୍ଦନ

କରିଥିଲେ ଠାବ ବନ, ଉପବନ ।

 

ଲକ୍ଷ ଶିବ ସ୍ଥଳ ପ୍ରାଚୀ ନଦୀ ତୀର

ମାଧବ, ଭୈରବୀ, ଚଣ୍ଡିକା ମନ୍ଦିର ।

ପାର୍ଶ୍ଵନାଥ, ବୌଦ୍ଧ ସ୍ଥଳ ପ୍ରାଚୀ ତୀର

ବହୁ ଧର୍ମଙ୍କର ସଂଗମ ଏ ସ୍ଥଳ ।

 

ଲକ୍ଷ ଶମ୍ଭୁ ମଧ୍ୟେ ଦଶ ଦୁଇ ଶିବ

ସବୁ ସ୍ଥଳେ ଥଲେ ସାକ୍ଷୀ ତ ମାଧବ ।

ଶମ୍ଭୁ ବିଜେ ସ୍ଥଳେ ଥାଇ ତୀର୍ଥ ମାନ

ଭକ୍ତଗଣଙ୍କର ଟାଣୁଥିଲେ ମନ ।

 

ପାବନୀ ପରାଚୀ ଶୁଦ୍ଧ ନୀର ଧାରେ

ସ୍ନାନ କରୁଥିଲେ ପର୍ବ ଦିବସରେ ।

ମନୋବାଞ୍ଚା ତାଙ୍କ ହେଉଥଲା ପୁରା

ତୀର୍ଥରାଜ ପ୍ରାଚୀ ନାମ ବହିଥଲା ।

 

କପିଳ ମୁନିଙ୍କ ଆଶ୍ରମ ସ୍ଥଳରେ

କପିଳେଶ ଶିବ ବିଜେ ଏହି ସ୍ଥଳେ ।

ପ୍ରାଚୀ ପୂର୍ବ ତଟେ ଥିଲା ଏହି ସ୍ଥଳ

ସାତକୋଶ ଦୂରେ ଅଡ଼ଶପୁରର ।

 

ଦ୍ଵାଦଶ ଶମ୍ଭୁରେ ପ୍ରଥମ ଏ ଶିବ

ସାକ୍ଷୀ ଦେବ ରୂପେ ଥିଲେଟି ମାଧବ ।

ଦ୍ୱିତୀୟ ସ୍ଥାନରେ ଗୋକର୍ଣ୍ଣେଶ୍ଵର

ବିରାଜିତ ଶିବ ପ୍ରାଚୀ ପୂର୍ବ ତୀର ।

 

ଜାମୁଗୋରଡ଼ିର ନଦୀ ବନ୍ଧ ଧାରେ

ଉମା ମହେଶ୍ଵର ବିଜେ ଏହିଠାରେ ।

ତ୍ରିବିକ୍ରମ ବିଷ୍ଣୁ ସାକ୍ଷୀ ରୂପେ ଥାଇ

ଭକତ ଗୁହାରୀ ଶୁଣୁଥିଲେ ରହି ।

 

ପ୍ରାଚୀ ତଟିନୀର ପଶ୍ଚିମ ତୀରରେ

ବିଲେଶ୍ଵର ଶମ୍ଭୁ ବନମାଳୀପୁରେ ।

ପଇଡ଼ ପାଟଣା ଗ୍ରାମେ ବିରାଜିତ -

ବରାହ ବିଷ୍ଣୁଟି ଏହି ସ୍ଥାନେ ଖ୍ୟାତ ।

 

ଚତୁର୍ମୁଖ ବ୍ରହ୍ମା, ପାର୍ବତୀ ବିଗ୍ରହ ।

ମନ୍ଦିର ଗାତ୍ରରେ ହୋଇଛନ୍ତି ଥୟ ।

ପ୍ରାଚୀ ଦକ୍ଷିଣରେ ନିଆଳୀ ନଗରେ

ଶୋଭନେଶ ଦେବ ଅଛନ୍ତି ସେଠାରେ ।

 

ମନ୍ଦିର ବେଢ଼ାରେ ବ୍ରହ୍ମା ଓ ଚାମୁଣ୍ଡା .

ଅଷ୍ଟଭୂଜା ଦୁର୍ଗା କାପାଳିକ ଝଣ୍ଡା

ଉଡ଼ଇ ମନ୍ଦିର ପାଶେ ସଦାକାଳ

ଚାମୁଣ୍ଡା ବିଗ୍ରହ ଅତି ଭୟଙ୍କର ।

 

ବିଷ୍ଣୁ କାର୍ତ୍ତିକେୟ କାଳ ଓ ବିକାଳ ।

ବିରାଜିତ ଛନ୍ତି ଜଗମୋହନର ।

ରାମେଶ୍ଵର ଶମ୍ଭୁ ଟୋଲା ଗ୍ରାମେ ବିଜେ

ରାମଚନ୍ଦ୍ର ବାଣେ ସୃଷ୍ଟ ମହାରାଜେ ।

 

ଜଗମୋହନରେ ପଞ୍ଚମୁଖୀ ଶିବ

ପଦ୍ନାସନେ ବିଜେ ମାର୍ଚ୍ଚିକେଇ ଦେବୀ ।

ମାନସା ନାମରେ ପୂଜିତା ଈଶ୍ଵରୀ

ହରଷିତା ମା’ ହସ୍ତେ ପୁଷ୍ପ ଧରି ।

 

ପ୍ରାଚୀ ଦକ୍ଷିଣରେ ପିତାପଡ଼ା ଗ୍ରାମ

ତହିଁ ଶମ୍ଭୁଙ୍କର ଅଙ୍ଗେଶ୍ଵର ନାମ ।

ବିରାଜିତ ଏକ ଭଗ୍ନ ମନ୍ଦିରରେ

ମନ୍ଦିର ନିର୍ମିତ ଇଟା ପଥରରେ ।

 

ପଞ୍ଚ ରଥାକାର କ୍ଷେତ୍ର ଥିଲା ଏହି

ମୁଖ୍ୟ ମନ୍ଦିରରେ ଶିବ ଥିଲେ ରହି ।

ଚତୁଃକୋଣେ ଗଢ଼ା ଇଟାର ମନ୍ଦିର

କାଳର କବଳେ ଏବେ ଚୁରମାର ।

 

ଜଗମୋହନଟି ଏବେ ଅସ୍ତି ଶୂନ୍ୟ

ଏ ସ୍ଥାନେ ବିରାଜେ ଲତା, ଗୁଳ୍ମ ମାନ ।

ନାଟ ମନ୍ଦିରର ନିଅଁ ବିଦ୍ୟମାନ

ଭୋଗ ମନ୍ଦିରଟି ଏବେ ଶୂନ୍ୟସ୍ଥାନ ।

 

ପୁରାତନ ଇଟା ପ୍ରସ୍ତରେ ନିର୍ମିତ

କାଳର କବଳେ ଏବେ ଅନ୍ତର୍ହିତ ।

ଅନ୍ୟ ଏକ କ୍ଷୁଦ୍ର ମନ୍ଦିରେ ବିଦିତ

ଇଟାର ପ୍ରାଚୀର ଏବେ ଚୂର୍ଣ୍ଣିଭୂତ ।

 

ପ୍ରସ୍ତର ମନ୍ଦିରେ ପାଶେ ଅଛି ରହି

ଅଷ୍ଟଭୂଜା ଦୁର୍ଗା ଚାମୁଣ୍ଡା ବୋଲାଇ ।

ଚର୍ଚ୍ଚିକାଇ ନାମେ ଗ୍ରାମ ଜନେ ଖ୍ୟାତ

ଚାରୋଟି ଗଣେଶ ଉତ୍ତରେ ସ୍ଥାପିତ ।

 

ଛିର୍ଣ୍ଣ ଚଣ୍ଡୀ ମୂର୍ତ୍ତୀ ଗଣେଶଙ୍କ ମେଳେ

ପୂଜିତ କୁତାମ ଚଣ୍ଡିଙ୍କ ନାମରେ ।

ଚାଳ ଗୃହେ ବିଜେ ଗ୍ରାମଦେବୀ ମାତ

ନୂତନ ମନ୍ଦିର ହୋଇଛି ନିର୍ମିତ ।

 

ପ୍ରତ୍ନତତ୍ତ୍‌ବିଭାଗର ନିର୍ଦ୍ଦେଶରେ

ନୂତନ ମନ୍ଦିର ନିର୍ମିଛି ଏ ସ୍ଥଳେ ।

ଅମର ଇଶ୍ଵର ଶମ୍ଭୁ ପରିଚିତ

ଅମର ବରର ପାଇଁ ଦେବ ଖ୍ୟାତ ।

 

ଲଙ୍କାର ରାବଣ ହୋଇ ଉପସ୍ଥିତ

ତପ ଯଜ୍ଞେ ଦେବ କରିଣ ତୋଷିତ ।

ପାଇଥିଲେ ଦୈତ୍ୟ ଅମର ବରକୁ

ଦରଶନ କରି ନୀଳ ମାଧବଙ୍କୁ ।

 

ଏକ କୋଶ ଦୂରେ ଅମରେଶ୍ୱରରୁ

ଗୋତୀର୍ଥର ସୃଷ୍ଟି ପ୍ରାଚୀ ନଦୀ ଧାରୁ ।

ନିଭରଣ ଗ୍ରାମ ମହାଦେବ ସ୍ଥାନ

ଗ୍ରାମେଶ୍ୱର ପୀଠ ବୋଲି ଏହା ନାମ ।

 

ଗ୍ରାମେଶ୍ୱର ପାଶେ ପୁରୁରବା ତୀର୍ଥ

ଭକ୍ତଜନ ଏଠି ହୋଇ ଉପସ୍ଥିତ ।

ସ୍ନାନ ପରେ କରି ଦେବ ଦରଶନ

ପୁଣ୍ୟଫଳ ଲଭି ଯା’ନ୍ତି ସ୍ଵର୍ଗଧାମ ।

 

କାକଟପୁରରୁ ଅନତି ଦୂରରେ

ମୁଦ୍‌ଗଲ ମାଧବ ଗ୍ରାମର ମଧ୍ୟରେ ।

ସୋମେଶ୍ୱର ମହାଦେବ ଛନ୍ତି ରହି

ପୁରୁଣା ମନ୍ଦିର ତହିଁ ଆଉ ନାହିଁ ।

 

ନୂତନ ମନ୍ଦିରେ ପ୍ରଭୁ ବିରାଜିତ

ଗ୍ରାମ ନରନାରୀ ଦ୍ଵାରା ସେ ପୂଜିତ ।

ଜଗମୋହନରେ ଉମା ମହେଶ୍ଵର

ଅନନ୍ତ ଶୟନେ ଅଛନ୍ତି ମାଧବ ।

 

ହରିହର ସ୍ଥଳ ଏ ଗ୍ରାମ ଅଟଇ

ବରାହ, ନୃସିଂହ ଯମଦେବ ତହିଁ ।

ଚାମୁଣ୍ଡା ବିଗ୍ରହ ତହିଁ ବିରାଜିତ ।

ଖଣ୍ଡା, ଖର୍ପର, ଡମ୍ୱରରୁ ହସ୍ତ ।

 

ସିଦ୍ଧେଶ୍ଵର ମହାଦେବଙ୍କ ମନ୍ଦିର ଏ

ବିଦ୍ୟମାନ ଏବେ ମୁଦ୍‌ଗଲ ଗ୍ରାମର ।

ନାଶିକେଶ୍ଵରରେ ନୃତେଶ୍ଵର ଶିବ

ପ୍ରାଚୀ ପୂର୍ବ ତଟେ ବିଜେ ମହାଦେବ ।

 

ପ୍ରକୃତିର ଅଟେ ରମ୍ୟ ଉପବନ

ଗ୍ରାମଟି ଅଟଇ ବ୍ରାହ୍ମଣ ଶାସନ ।

ପ୍ରାଚୀ ବହିଯାଏ କୁଳୁକୁଳୁ ନାଦେ

ନୃତ୍ୟେଶ୍ଵର ଦେବ ପୂଜିତ ପ୍ରାସାଦେ ।

 

ଭକତଙ୍କ ମନୋରଥ ପୁରା ହୁଏ

ଏ ମହାନ ଦେବଙ୍କୁ ଯେହୁ ପୂଜା ଦିଏ ।

ସାଗର ତଟରେ ଗ୍ରାମ ଦଳୁକାନି

ପ୍ରାଚୀ ପୂର୍ବ ତୀର ପବିତ୍ର ଅବନୀ ।

 

ତହିଁ ବିରାଜିତ ଦେବ ମୁକ୍ତେଶ୍ଵର

ମୁକତି ଦିଅନ୍ତି ଉମା ମହେଶ୍ଵର ।

ନରୁଆ ଶଙ୍କର ପ୍ରାଚୀ ତୀରେ ଥାଇ

ଭକତ ଗୁହାରୀ ଶୁଣୁଥାନ୍ତି ରହି ।

 

କୁହୁଡ଼ିର ଦେବ ଉମା ମହେଶ୍ଵର

ଲହଡ଼ି ଗଣନ୍ତି ସାଗର ତଟର ।

ଜୀଉନ୍ତି ଗାଁର ଶିବ ମହେଶ୍ଵର

ଭରଷା ଅଟନ୍ତି ନରନାରୀଙ୍କର ।

 

ଓଷା ବ୍ରତ ନରନାରୀ ଆଚରନ୍ତି ।

ମହାଦେବ ପୂଜି ବର ପାଇଥାନ୍ତି ।

ଦ୍ଵାଦଶ ଶମ୍ଭୁ ପ୍ରାଚୀ ନଦୀ ତୀର

ପାତକ ନାଶନ କରିଥାନ୍ତି ହର ।

 

ବ୍ରହ୍ମ ରୂପ ଏହି ତ୍ରିଲୋଚନେଶ୍ଵର

ପୂଜା, ତପ, ଧ୍ୟାନ ଯଜ୍ଞ କରି ନର ।

ତରି ଯା’ନ୍ତି ପୂଜି ହରି ହର ବେନି

ଜନ୍ମି ନୀଚ୍ଚ ବଂଶେ ଅବା ନୀଚ୍ଚ ଯୋନି ।

 

ଗୋତୀର୍ଥରେ ଯେହୁ କରଇ ସ୍ନାହାନ

ଅକ୍ଷୟ ତୃତୀୟା ବୈଶାଖ ଲଗନ ।

ସେ ଦିନରେ ବିଜେ ଗଙ୍ଗା ସରସ୍ଵତୀ

ସକଳ ପାପରୁ ଜନେ ଉଦ୍ଧାରନ୍ତି ।

 

ବ୍ରହ୍ମ ହତ୍ୟା ଅବା ଗୋହତ୍ୟା ପାପରେ

ପାପେ ଗ୍ରସ୍ତ ଥାଏ ନର ଧରଣୀରେ ।

ମଦିରା, ମାଂସକୁ ନ କରି ଭୋଜନ

ଲଘୁପାକ ଅନ୍ନ କରିଣ ଭକ୍ଷଣ ।

 

ଶୌଚ ମୌନବ୍ରତ ସ୍ନାନକର୍ମ ସାରି

ହରିହର (ଅମରେଶ୍ୱର) ପୀଠେ ତପ, ଯଜ୍ଞ କରି ।

ଦାନ ଦକ୍ଷିଣାରେ ତୋଷେ ବିପ୍ର ପ୍ରାଣ

ସ୍ଵର୍ଗପୁରେ ଯାଏ ସେହୁ ତପୀ ଜନ ।

 

ଦ୍ଵାଦଶ ଶମ୍ଭୁଙ୍କ ସ୍ଥଳ

କପିଳେଶ ଶିବ ଆଦ୍ୟ ଦେବ ହୋଇ

କପିଳ ମୁନିଙ୍କ ଆଶ୍ରମରେ ଥାଇ ।

ଦ୍ୱିତୀୟ ସ୍ଥାନରେ ଗୋ-କର୍ଣ୍ଣ ଈଶ୍ୱର

ତୃତୀୟର ହର ପ୍ରଭୁ ବିଶ୍ଵେଶ୍ଵର ।

 

ଶୋଭନେ ଈଶ୍ୱର ଦିବ୍ୟ ରୂପ ଧରି

ପ୍ରାଚୀ ନଦୀ ତୀରେ ଥାନ୍ତି ବାସ କରି ।

ରାମେଶ୍ଵର ଶମ୍ଭୁ ଟୋଲା ଗ୍ରାମେ ରହି

ଜ୍ୟୋତି ସ୍ଵରୂପରେ ଅଗ୍ନି ତୀର୍ଥେ ଥାଇ ।

 

ପିତୃ ତୀର୍ଥେ ବିଜେ ଅଙ୍ଗେଶ୍ଵର ଶମ୍ଭୁ

ପିତୃ ପୁରୁଷଙ୍କୁ ନିସ୍ତାରନ୍ତି ପ୍ରଭୁ ।

ଅମର ଇଶ୍ଵର ଅମୃତ ସମାନ

ଦରଶନେ ପାଏ ନର ସ୍ଵର୍ଗେ ସ୍ଥାନ ।

 

ଗ୍ରାମେଶ୍ୱର ଦେବ ପୁରୁରବା ଠାରେ

ବିଜେ ପ୍ରାଚୀ ତୀର ପୁଣ୍ୟ ସ୍ଥଳୀ ପରେ ।

ଚକ୍ରତୀର୍ଥ ପରେ ଶିବ ରାମେଶ୍ୱର

ନରନାରୀ ପାଇଁ ସାକ୍ଷାତ ଈଶ୍ୱର ।

 

ସିଦ୍ଧେଶ୍ଵର ଦେବ ଦଧୀଚିଙ୍କ ସ୍ଥଳ

ସାକ୍ଷାତ ଏ ଦେବ ବିରଞ୍ଚି ଈଶ୍ୱର ।

ବ୍ରହ୍ମ ରୂପେ ଦେବ ବିଦ୍ୟମାନ ଥାଇ

ସକଳ ପାପକୁ ହରନ୍ତି ଗୋସାଇଁ ।

 

ନୃପେଶ୍ଵର ନାଟେଶ୍ଵର ଦୁଇ ହର

ବିଜେ ପ୍ରାଚୀ ଅନ୍ତ ମହୋଦଧୀ କୂଳ ।

ଇନ୍ଦ୍ର, ନୈରୁତ ବୈଶାନର ରୁଦ୍ର

କେଶବ ଏ ପାଞ୍ଚ ଦେବ ମହା ରୁଦ୍ର ।

 

ସିନ୍ଧୁ ତୀରେ ବିନ୍ଦୁ ସମ ଛନ୍ତି ରହି

ପାପୀ, ତାପୀ ଜନ ଭଵରିବା ପାଇଁ ।

ରୋଗ ମୁକ୍ତ ନର, ନାରୀ ଏ ସ୍ଥାନର

ହୋଇଥାନ୍ତି ପିଇ ପୁଣ୍ୟ ପ୍ରାଚୀ ଜଳ ।

 

ସରବ ତୀର୍ଥରେ ପ୍ରାଚୀ ସାର ଜାଣ

ଏ ପ୍ରାଚୀ ମହିମା ବଖାଣେ ପୁରାଣ ।

 

ପ୍ରାଚୀତଟରେ ଶକ୍ତି ପୂଜା

ମା’ କାତ୍ୟାୟନୀ ମହିଷ ମର୍ଦ୍ଦିନୀ

ଶାକମ୍ବରୀ ଦିଗମ୍ବରୀ କପାଳିନୀ ।

ଉଭା ମାଆ ତୁମେ ପ୍ରାଚୀ ନଦୀ ତୀରେ

ଭବ ପାପ ତାପ ହରିବା ଆଶାରେ ।

 

ଶକ୍ତି ସ୍ୱରୂପା ତୁ ଓଡ଼ିଶା ମାଟିରେ

ଦୁଷ୍ଟ ନିବାରଣ କରୁ ସ୍ଵହସ୍ତରେ ।

ସନ୍ଥ ଜନେ ଦୁଃଖୁଁ ଉଦ୍ଧାରିବା ପାଇଁ

ଗ୍ରାମ, ନଗରରେ ମା’ ଅଛ ରହି ।

 

ଶାରଳା, ବିମଳା, କମଳା ମା’ ତୁହି

ଯାଜପୁରେ ଅଛୁ ବିରଜାଇ ହୋଇ ।

କାକଟପୁରରେ ନାମ ତୋ ମଙ୍ଗଳା

ମା’ କାକଟେଇ ଚର୍ଚ୍ଚିକା, ହେଙ୍ଗୁଳା ।

 

ଚଉରାଶି ଗ୍ରାମେ ମା’ ଜାଗୁଳାଇ

ଉଚ୍ଚ ସ୍ଥାନ ଦେଖି ମା’ ଛନ୍ତି ରହି ।

ବରାହୀ, ଦୁର୍ଗାଣୀ, ମା’ ଅନନ୍ତେଶ୍ୱରୀ

ମହୋଦଧି ତୀରେ ବାଲିକୁଦ ଧରି ।

 

ବିଜେ ରାମଚଣ୍ଡୀ ସାକ୍ଷାତ ଈଶ୍ଵରୀ

ଯୋଗିନୀ ରୂପରେ ମା' ଦେବୀ ଗଉରୀ ।

ରହିଛତି ଦେବୀ ଶିବ ପୀଠ ସ୍ଥଳୀ

ଚର୍ଚ୍ଚିକାଇ ବିଜେ ପିତାପଡ଼ା (ଗ୍ରାମ) ଗଳି ।

 

ଦୁର୍ଗାଣୀଙ୍କ ଉଭା ମୋଟିଆଁ ଶାସନେ

ଚତୁର୍ଭୁଜା ଦୁର୍ଗା ବିଜେ ବୀରାସନେ ।

ଉର୍ଦ୍ଧ୍ୱ ହସ୍ତେ ଶୋଭେ ଶଙ୍ଖ, ଚକ୍ର ଚିହ୍ନ

ନିମ୍ନ ହସ୍ତେ ଦେବୀ ବର୍ଚ୍ଛା ବିଦ୍ୟମାନ ।

 

ମହିଷାସୁରର ବଧେ ରତା ଦେବୀ

ଶିହରଣ ଆସେ ଉଗ୍ରରୂପ ଭାବି ।

ମାଧବ ମନ୍ଦିରେ ଦୁର୍ଗା ଚତୁର୍ଭୁଜା

ଦୁର୍ଗା ମାଧବୀଙ୍କ ନାମେ ପା’ ନ୍ତି ପୂଜା ।

 

ଅଷ୍ଟଭୁଜା, ଷଡ଼ଭୁଜା ପ୍ରାଚୀ କୂଳେ

ନିର୍ମିତ ହୋଇଲେ ଭୌମ ଶାସନରେ ।

କାକଟପୁର ଓ ମଙ୍ଗଳପୁରେ

ରାମେଶ୍ଵର ଆଉ ଅମଣାକୁଦରେ ।

 

ଅଷ୍ଟଭୁଜା ଦୁର୍ଗା ଏବେ ବିଦ୍ୟମାନ

ଦଶଭୁଜା ଦୁର୍ଗା ଛନ୍ତି ବହୁ ସ୍ଥାନ ।

ଆମ୍ବପଡ଼ା ଗ୍ରାମ ଅଡ଼ଶପୁରରେ

ପିତାପଡ଼ା ଗ୍ରାମ ନିଭରଣରେ ।

 

ଲତାହରଣ ଓ ଯୋଗେଶ୍ଵର ପୁରେ

ଦଶଭୁଜା ଉଭା ସୋଭନେଶ୍ଵରରେ ।

ଦେବୀଙ୍କ ବିଗ୍ରହ ଚାମୁଣ୍ଡା ରୂପରେ

ବିରାଜିତ ପ୍ରାଚୀ ବିବିଧ ସ୍ଥଳରେ ।

 

ଚତୁର୍ଭୁଜା, ଷଡ଼ଭୁଜା, ଅଷ୍ଟଭୁଜା,

ଦଶଭୁଜା ଦୁର୍ଗା ପାଉଛନ୍ତି ପୂଜା ।

କପିଳ ମୁନିଙ୍କ ଆଶ୍ରମର ସ୍ଥଳେ

ଚାମୁଣ୍ଡା ମଣ୍ଡିତା ଛଅଟି ଭୁଜରେ ।

 

ତୁଳସୀପୁରର ଆମ୍ବ ବନ କୋଳେ

ଷଡ଼ଭୁଜା ଚଣ୍ଡୀ ସଭାମଣ୍ଡପରେ ।

ଅଷ୍ଟଭୁଜା ମା’ କାକଟପୁରରେ

ନିଆଳୀ ଗ୍ରାମର ଶୋଭନେଶ୍ଵରରେ ।

 

ଚଣ୍ଡ ଘଣ୍ଟା ରୂପେ ପୂଜିତା ପୀଠରେ

ଏ ବର୍ଣ୍ଣନା ମିଳେ ପ୍ରାଚୀ ମହାତ୍ମ୍ୟରେ ।

କାଳୀ କପାଳିନୀ ଚାମୁଣ୍ଡାର ପୂଜା

ପ୍ରାଚୀ ତଟେ ଟେକିଥିଲା ନିଜ ଭୁଜା ।

 

ଅଷ୍ଟମ ଶତାବ୍ଦୀ କାଳୁ ପ୍ରଚଳନ

ତାନ୍ତ୍ରିରିକ ମନ୍ତ୍ରରେ ଦେବୀଙ୍କ ପୂଜନ ।

ବାରଭୁଜା ଦେବୀ ମହିଷା ମର୍ଦ୍ଦନୀ

ପ୍ରାଚୀତଟେ କାହିଁ ଏ କବି ଦେଖିନି ।

 

ଦଶଭୁଜା ଦୁର୍ଗା ମଙ୍ଗଳା, କଲ୍ୟାଣୀ

ଶକ୍ତିପୂଜା ଖ୍ୟାତ ଉତ୍କଳ ଅବନୀ ।

ଚାମୁଣ୍ଡା ମୁରତି ମା’ ଜାଗୁଳାଇ

ଅଷ୍ଟଭୁଜା ବିଜେ ନଳିତାର ନଈ ।

 

ବେନି କମଳର ପରେ ବିରାଜିତ

ଡମ୍ବରୁ, ଖର୍ପର, ବର୍ଚ୍ଛା, ଖଡ୍ଗ ହସ୍ତ ।

ବାମ ହସ୍ତେ ଧରି ଖଟ୍ୟାଙ୍ଗ, ତ୍ରିଶୂଳ

ଛିର୍ଣ୍ଣମସ୍ତା ହସ୍ତେ ଉର୍ଦ୍ଧ୍ୱେ ଜପାମାଳ ।

 

ଶୁଭଦା, ସୁଖଦା, ବରଦା ସୁନ୍ଦରୀ

ଶୃଗାଳ ଅଛନ୍ତି ନର ଶବ ଘେରି ।

ଦୁଷ୍ଟ ନିବାରିଣୀ ଗରବ ଗଞ୍ଜନୀ

ଭକତ ହୃଦୟେ କୃପା ବରଷିଣୀ ।

 

ଭକତ ପାଇଁ କି ଛନ୍ତି କାନଡ଼େରି

ଶୁଣିଥାନ୍ତି ସଦା ଭକତ ଗୁହାରୀ ।

ଯେ ଜନ ସେବିଛି ସେ ଅଭୟ ପଦ

ଜୀବନେ ଆସିନି ଆପଦ ବିପଦ ।

 

ମନ ଇଚ୍ଛା ବର ମା’ ଦେଇଛନ୍ତି

ବୃକ୍ଷ ତଳେ ରହି ସବୁ ଦେଖୁଛନ୍ତି ।

ନମଇ ଏ ମୂଢ଼ ଅଭୟ ଚରଣ

ମା’ ଜାଗୁଳାଇ ଦିଅ ପଦେ ସ୍ଥାନ ।

 

ଚଉରାଶି ଗ୍ରାମ ବରାହୀ ମୂରତି

ଅଦ୍ଵିତୀୟା ଦେବୀ ଭୟଙ୍କର ଅତି ।

ମହିଷର ପୃଷ୍ଠ ପରେ ମା’ ବିଜିତ

ଲଳିତ ଆସନ ପଦ୍ମପାଦେ ସ୍ଥିତ ।

 

ସର୍ବାଙ୍ଗ ଶୋଭିତ ଚାରୁ ବସନରେ

ଟିତ୍ରିତ ସେ ଛବି ପ୍ରସ୍ତର ଗାତ୍ରରେ ।

ଚାରୁବସ୍ତ୍ର ମା’ ଶ୍ରୀଅଙ୍ଗେ ବେଷ୍ଟିତ

ରାମାୟଣ ଚିତ୍ର ମନ୍ଦିରେ ଖୋଦିତ ।’’

 

ଅଷ୍ଟମ ଶତାବ୍ଦୀ କାଳେ ଏ ନିର୍ମିତ

ଭୁବନେଈଶ୍ଵର ବୋଇତାଳ କ୍ଷେତ ।

ପ୍ରାଚୀ ତୀର ଦିବ୍ୟ ବରାହୀ ସଂସ୍କୃତି

ବରାହୀ ମନ୍ଦିରେ ଅଛି ତା’ର ସ୍ମୃତି ।

 

ତନ୍ତ୍ରପୀଠ ଦେବୀ ବରାହୀ ମୂରତି

ଚତୁର୍ଭୁଜା ଦେବୀ ଉତ୍କଳ କୀରତି ।

ଲକ୍ଷ୍ମୀ ନାରାୟଣ ମୂର୍ତ୍ତି ମନୋରମ

ବିଜେ ଯୁଗ୍ମ ଦେବ ଚଉରାଶି ଗ୍ରାମ ।

 

ଭାଷା ପାଉନାହିଁ ସେ ରୂପ ବର୍ଣ୍ଣନେ

ଅପରୂପ କାନ୍ତି ଜନମନ କିଣେ ।

ଶ୍ରେଷ୍ଠ କାରିଗର ଚାରୁ ଚିତ୍ରପଟ

ଲକ୍ଷ୍ମୀ ନାରାୟଣ ଗାତ୍ରରେ ଉତ୍କଟ ।

 

ବିନ୍ଧାଣୀ କଳ୍ପନା ଚରମ ସୀମାରେ

ଉପନୀତ ଯୁଗ୍ମ ମୂର୍ତ୍ତି ନିର୍ମାଣରେ ।

ଶାନ୍ତ କାନ୍ତ ବିଷ୍ଣୁ ପଦ୍ମାସନେ ବିଜେ

ପ୍ରିୟତମା ପତ୍ନୀ ଲକ୍ଷ୍ମୀ ଧରି ବାମଭୁଜେ ।

 

ଦିବ୍ୟ ରତ୍ନମାଳା ଗଳେ ସୁଶୋଭିତ

ହସ୍ତ ପଦ ମାନେ ଅଳଙ୍କାର ଯୁକ୍ତ ।

ଚତୁର୍ଭୁଜ ଦେବ ଉର୍ଦ୍ଧ୍ୱ ବାମ ହସ୍ତ

ଚକ୍ରାସ୍ତ୍ରରେ ଅଟେ ଶୋଭା ବିମଣ୍ଡିତ ।

 

ନିମ୍ନ ବାମ ଭୁଜ ଲକ୍ଷ୍ମୀ ବକ୍ଷୋଜରେ

କମଳ ବିରାଜେ ଦକ୍ଷିଣ ହସ୍ତରେ ।

କାମୋଦୀପ୍ତା ଲକ୍ଷ୍ମୀ କରି କୋଳାଗ୍ରତ

ବିକଚ ରାଜୀବ ଧରି ବାମ ହସ୍ତ ।

 

ଦକ୍ଷିଣ ପଦଟି ଅଟେ ନିମ୍ନମୁଖ

ବାମ ପଦ ପାଏ ମିଳନର ସୁଖ ।

ପଦ ତଳେ ଥାଇ ଗରୁଡ଼ ଗୋସାଇଁ

ପ୍ରଭୁ ନାରାୟଣ ପ୍ରାର୍ଥନା କରଇ ।

 

ଗଜଟିଏ ହୋଇ ମନେ ହରଷିତ

ଲକ୍ଷ୍ମୀ ଆଜ୍ଞା ଆଶେ ମଥା ଅବନତ ।

ଲକ୍ଷ୍ମୀ ନାରାୟଣ ମଠ ବାରଣ୍ଡାରେ

ପୂଜା ପା’ନ୍ତି ମଠ ଠାକୁର (ପାଟଣା) ଗ୍ରାମରେ ।

 

ପ୍ରାଚୀ ତୀର ମାଧବଙ୍କ ବର୍ଣ୍ଣନ

କୃଷ୍ଣ ଭଗବାନ ଶ୍ରୀମଧୁସୂଦନ

ପ୍ରାଚୀ ତୀରେ ଦେବ ମଧ୍ୟେ ଅଗ୍ରଗଣ୍ୟ ।

ପ୍ରିୟ ଦେବ ରୂପେ ରହି ନାନା ସ୍ଥଳେ

ପୂଜିତ ହୁଅନ୍ତି ମାଧମ ରୂପରେ ।

 

ବେନି ଭୁଜ ଦେବ ବଂଶୀଧର ହୋଇ

ରାଧା ପ୍ରେମେ ଦେବ ଛନ୍ତି ଭୋଳ ହୋଇ ।

ରାଧାକାନ୍ତ ଦେବ ନୂଆ ଗାଁ ମଠର

ପାଶେ ରାଧା ବିଜେ ବିଗ୍ରହ ପିତଳ ।

 

କୁରାଙ୍ଗ ଶାସନ, ପ୍ରତାପ ନଗର

ଅନ୍ତର୍ବେଦୀ ମଠ, ପାଣ୍ଡବ କୁଦର ।

ପିତାପଡ଼ା, ନିଭରଣ ଗ୍ରାମରେ

ରାଧା କୃଷ୍ଣ ମୂର୍ତ୍ତି ପୂଜିତ ଜନରେ ।

 

କବି ଜୟଦେବ କେନ୍ଦୁଲି ଗ୍ରାମରେ

ଭକ୍ତି ଭରେ ବିଷ୍ଣୁ ପଦସେବା କରେ ।

ପାଇ ଦିବ୍ୟ ବର ପ୍ରଭୁ କୃଷ୍ଣଙ୍କର

ଦଶ ଅବତାର ପ୍ରଭୁ ବିଷ୍ଣୁଙ୍କର ।

 

ବର୍ଣ୍ଣନା କରିଲେ ଗୀତ ଗୋବିନ୍ଦରେ

ରୂପ କଳ୍ପ ବିଷ୍ଣୁ ନିଖୁଣ ରୂପରେ ।

କଲମ ମୁନରେ ଦେଲେ ତାଙ୍କ ସ୍ଥାନ

କରିଲେ ପ୍ରଭୁଙ୍କ ଗୀତେ ଜୟଗାନ ।

 

ଅମର ତାଙ୍କର କାବ୍ୟ ମନୋରମ

ବଞ୍ଚୁଅଛି ଯଶ ଏ ଉତ୍କଳ ଧାମ ।

ପ୍ରଭୁ ବାସୁଦେବ ଭକତ ବତ୍ସଳ

ସ୍ଵପ୍ନେ ଦେଖାଦେଲେ ଶୟନର କାଳ ।

 

ଆଦେଶିଲେ ଚଳି ବେଗେ ପୁରୀ ଧାମେ

କାବ୍ୟ ରଚିବାକୁ ଜଗନ୍ନାଥ ନାମେ ।

ଗୀତ ଗୋବିନ୍ଦର ରମ୍ୟ ପଦାବଳୀ

ବିମୋହିତ କଲା ପ୍ରଭୁ ବନମାଳୀ ।

 

ଶୟନ କାଳରେ ଭକ୍ତ ଜୟଦେବ

ପ୍ରଭୁ ପାଶେ ଗାଉଥଲେ ନିଜ ସ୍ତବ ।

ଅତି ପ୍ରୀତ ହୋଇ ପ୍ରଭୁ ଦାମୋଦର

ଭକ୍ତ କାବ୍ୟ ବାଣୀ ଶୁଣନ୍ତି କର୍ଣ୍ଣର ।

 

ପରାଣେ ଅଶେଷ ତୃପତି ଲଭନ୍ତି

ଶୟନେ ମାନସୁ କ୍ଲାନ୍ତି ହରିଥାନ୍ତି ।

ଚବିଶ ପ୍ରକାର ମାଧବ ପ୍ରସ୍ତର

ବିରାଜିତ ଥିଲେ ପ୍ରାଚୀ ବେନି ତୀର ।

 

. ବିଷ୍ଣୁ ସହସ୍ରର ନାମୁ ପଡ଼େ ଜଣା

ବିବିଧ ନାମରେ ବିଷ୍ଣୁଙ୍କ ଠିକଣା ।

ବିରଜା ମହାତ୍ମ୍ୟ କରିଛି ବର୍ଣ୍ଣନ

ଅନନ୍ତ ମାଧବ, ଆଦି ଦେବ ନାମ ।

 

ସୁଦର୍ଶନ ପୁଣି ଶ୍ରୀ ପୁରୁଷୋତ୍ତମ

ଜନାର୍ଦ୍ଦନ, ନର କାନ୍ତ ବିଷ୍ଣୁ ନାମ ।

ବାସୁଦେବ ନାମ ମହା ଭାରତରେ

ଗୋବିନ୍ଦ ମାଧବ ପୁରାଣ ପୃଷ୍ଠରେ ।

 

ନାନା ଭାବେ ନାନା ହସ୍ତେ ବିରାଜିତ

କାହିଁ ବେନି ହସ୍ତ, କାହିଁ ଚର୍ତୁହସ୍ତ ।

କାହିଁ ଶ୍ରୀ ମାଧବ ଅଙ୍କ ଅଳଙ୍କାରେ

ଶୋଭିତ ଅଙ୍ଗରେ ଶ୍ରୀମାଧବ ଥିଲେ ।

 

ସର୍ବ ମାଧବଙ୍କ ମଧ୍ୟେ ମାଧବର

ମାଧବାନନ୍ଦଙ୍କ ନାମ ଅଟେ ସାର ।

କୁଅଁର ପୁରର ଶ୍ରୀମାଧବାନନ୍ଦ

ମାଧବ ଜୀଉ ନାମ ଅଡ଼ଶପୁରର ।

 

ବରାହ ନୃସିଂହ ମନ୍ଦିରରେ ରହି

କୁଞ୍ଜ ବିହାରୀଙ୍କ ଅର୍ଚ୍ଚନା ଚଳଇ ।

ମାଧବ ମନ୍ଦିର କପିଳେଶ୍ଵରର

ଏବେ ଲୁପ୍ତ ପ୍ରାୟ ଅଛନ୍ତି ଠାକୁର ।

 

ଗୋକର୍ଣ୍ଣେଶ୍ଵରରେ ବାମନ ରୂପରେ

ମାଧବଙ୍କ ପୂଜା ଚାଲେ ଏହିଠାରେ ।

ତ୍ରିବେଣୀ ମାଧବ ଅନ୍ତର୍ଭେଦୀ ମଠେ

ଦାମୋଦର ନାମ ପାଣ୍ଡବଙ୍କ ପୀଠେ ।

 

ଗୋପୀନାଥ ଦେବ ଏଠି ବିରାଜିତ

ନରନାରୀ ମଧ୍ୟେ ହୁଅନ୍ତି ପୂଜିତ ।

ସୁବର୍ଣ୍ଣେଶ୍ଵରର ମନ୍ଦିର ବେଢ଼ାରେ

ବହୁତ ମାଧବ ବିରାଜିତ ଥିଲେ ।

 

ଦଶଟି ବିଗ୍ରହ ଏବେ ଦୃଶ୍ୟମାନ

ବ୍ରହ୍ମାଙ୍କ ମନ୍ଦିରେ ବେନି ବିଷ୍ଣୁ ସ୍ଥାନ ।

କୋରକରା ଗ୍ରାମ ବଟବୃକ୍ଷ ତଳେ

ବିଷ୍ଣୁ ବିରାଜିତ ପ୍ରାନ୍ତର ମଧ୍ୟରେ ।

 

ଚଉରାଶି ଗ୍ରାମେ ନଳିତା ମାଧବ

ଚାରୁ ଶିଳ୍ପ କଳା ବିଶ୍ଵେ ଅସମ୍ଭବ ।

ଅମରେଶ୍ଵରର ଜଗମୋହନରେ

ବେନି ମାଧବଙ୍କ ପୂଜାପାଠ ଚାଲେ

 

ପିତାପଡ଼ା ଗ୍ରାମ ଚାଳଘର ତଳେ

ବିରାଜିତ ବିଷ୍ଣୁ ଅଭୟ ମୁଦ୍ରାରେ ।

ରାମେଶ୍ଵର ସ୍ଥିତ ନାଟ୍ୟ ମନ୍ଦିରରେ

ବିଷ୍ଣୁଦେବ ଛନ୍ତି ଶିବଙ୍କ ସାଥିରେ ।

 

ନିଭରଣରେ କ୍ଷୁଦ୍ର ଅବତାର

ବିଷ୍ଣୁ ବିରାଜିତ ମନ୍ଦିର ଗାତ୍ରର ।

ନୀଳକଣ୍ଠପୁରେ ଶ୍ରୀନୀଳ ମାଧବ ।

ମନ୍ଦିର ନିର୍ମିତ ପୁରାପୁରି ନବ ।

 

ପୁରାତନ ଲୁପ୍ତ କାଳର କବଳେ

ନୂତନ ମନ୍ଦିର ଗ୍ରାମବାସୀ କଲେ।

ମଙ୍ଗଳା ଦେବୀଙ୍କ ବେଢ଼ା ମଧ୍ୟେ ରହି

ପୂଜା ପାଉଛନ୍ତି ମାଧବ ଗୋସାଇଁ ।

 

ଅତି ମନୋରମ ମାଧବ ବିଗ୍ରହ

ମୁଦୁଗଲ୍ ମାଧବ ନାମେ ପରିଚୟ

ବିଷ୍ଣୁ ମୂର୍ତ୍ତି ମାନ ଜଗମୋହନରେ

ବିରାଜିତ ଶିବ ସୋମେଶ୍ୱର ଠାରେ ।

 

କୃଷ୍ଣ ପ୍ରସାଦର ଶିବ ମନ୍ଦିରରେ

ବିଷ୍ଣୁଦେବ ଛନ୍ତି ଜଗମୋହନରେ ।

କାକଟପୁରର ପାଶେ ବିରାଜିତ

ବ୍ରାହ୍ମଣ ଶାସନ ନାମ ରଘୁନାଥ (ପୁର) ।

 

ମାଧବ ନାମରେ ଏ ବିଷ୍ଣୁ ବିଗ୍ରହ

ଗ୍ରାମ ମଧ୍ୟ ଦେବ ହୋଇଛନ୍ତି ଥୟ ।

ଗମ୍ଭାରୀପଦାର ମାଧବ ଠାକୁର

ସେ ମାଧବ ଛନ୍ତି ଶ୍ରୀନାଶିକେଶ୍ଵର ।

 

ଗଙ୍ଗ ବଂଶ ଦେବ ମାଧବ ସଂସ୍କୃତି

ପ୍ରାଚୀ ତୀରେ କରି ଆପଣା ରାଜୁତି ।

ଅର୍କତୀର୍ଥେ ସ୍ଥାପି ଆଦିତ୍ୟ ମାଧବ ।

ପୂଜାର୍ଚ୍ଚନା କରିଥିଲେକ ସମ୍ଭବ ।

 

ପ୍ରଚାରିଣ ଥିଲେ ମାଧବ ମହିମା

ବଢ଼ାଇଣ ଥିଲେ ବିଷ୍ଣୁଙ୍କ ଗାରିମା ।

ମାଧବ ଚରଣ ନାମେ ଉଦ୍ୟନାଥ

ଫେଡ଼ ପ୍ରଭୁ ଦୀନ ଅଶେଷ ଦୂରିତ ।

 

ପ୍ରାଚୀ ପୁଣ୍ୟତଟ ଶୋଭା ମନୋରମ

ତୀର୍ଥ ମଧ୍ୟେ ଥିଲା ଭାରତେ ଉତ୍ତମ ।

ଶାନ୍ତ, କାନ୍ତ, ରମ୍ୟ ତପ ସ୍ଥଳମାନ

ପ୍ରାଚୀ ତଟେ ଥିଲା ପୂର୍ବେ ବିଦ୍ୟମାନ ।

 

ନାନା ସ୍ଥାନୁ ଆସି ତପୀ, ଜପୀ ଜନ

ପ୍ରାଚୀ ତୀରେ ରଚିଥିଲେକ ଆଶ୍ରମ ।

ବନ ତପୋବନ ଶ୍ୟାମଳ ପ୍ରାନ୍ତର

ଶୋଭା ପାଉଥିଲା ପ୍ରାଚୀ ବେନି ତୀର ।

 

ଦେବଦେବୀ, ରାଜା, ପୁଣ୍ୟାତ୍ମା ପ୍ରବର

ଧାଇଁ ଆସୁଥିଲେ ପ୍ରାଚୀ ପୁଣ୍ୟ ତୀର ।

ଯୋଗ, ଧ୍ୟାନ, ତପ କରି ଆଚରଣ

ପ୍ରାଚୀ ତୀରେ ସୁଖେ କାଟୁଥିଲେ ଦିନ ।

 

ସନ୍ଥ, ସାଧୁ ଜନ ହୋଇ ମନ୍ତ୍ରମୁଗ୍ଧ

କୁଟୀର ରଟିଲେ ପ୍ରାଚୀର ସନ୍ନିଧ୍ୟ ।

ବନ ଫଳ, ମୂଳ, ନାରିକେଳ, ଚ୍ୟୁତ

କପିଥ, ନାରଙ୍ଗ, ପନଶ ଓ ଆତ ।

 

ଭରପୂର ଥିଲା ପ୍ରାଚୀ କାନନରେ

କ୍ଷୁଧା କଷ୍ଟ ମୁନି ଭୋଗୁଣ ନ ଥିଲେ ।

ଶ୍ରେଷ୍ଠ ପୁଣ୍ୟ ସ୍ଥାନ ମଣି ପ୍ରାଚୀ ତୀର

ରହୁଥିଲେ ରଚି ମଠ ଓ ମନ୍ଦିର ।

 

ବିଷ୍ଣୁ, କୃଷ୍ଣ, ଜଗନ୍ନାଥ ମୂର୍ତ୍ତି ସ୍ଥାପି ।

ମଠେ ସାଧୁ, ସନ୍ଥ ପ୍ରସାଦ ସମର୍ପି ।

ପନ୍ଦର, ଷୋହଳ ଶତାବ୍ଦୀ କାଳରେ

ବୈଷ୍ଣବ ଜମିଲେ ପ୍ରାଚୀ ନୀର ଧାରେ ।

 

ଉଦ୍‌ଗମ ସ୍ଥାନରୁ ଅନ୍ତିମ ସ୍ଥାନରେ

ମଠ ନିର୍ମିଥିଲେ ହରିଙ୍କ ଶ୍ରଦ୍ଧାରେ ।

ହରିହର ସ୍ଥଳ ପ୍ରାଚୀ କୂଳ ଯେଣୁ

ବିତରଣ ଥିଲା ପୁଣ୍ୟ, ଭକ୍ତି ରେଣୁ ।

 

ମଣି ଶ୍ରେଷ୍ଠ ପୂଜା, ପ୍ରାର୍ଥନା ଏ ସ୍ଥଳ

ସାଧୁ, ସନ୍ଥ ଜନ ହୋଇଥିଲେ ଠୁଳ ।

 

ପ୍ରାଚୀତଟୀୟ ମଠ : ଅର୍କମଠ

ପ୍ରାଚୀ, ସରସ୍ଵତୀ, ମଣିକର୍ଣ୍ଣିକାର

ତ୍ରିବେଣୀ ଘାଟରେ ହୋଇଥିଲା ମେଳ ।

ଅର୍ନ୍ତଭେଦୀ ମଠ ବିଦ୍ୟମାନ ଏଠି

ସାଧୁ, ତପୀ ଜନ ବିରଚିଣ କୁଟୀ ।

 

ସ୍ଥାପି ଜଗନ୍ନାଥ ପତିତପାବନ

କରୁଥିଲେ ନିତ୍ୟ ପୂଜା ଅରଚନ ।

ଭକ୍ତି ଭରେ ପୂଜି ସଦା ଦେବ ପଦ

ହୃଦେ ପାଉଥିଲେ ବିପୁଳ ଆନନ୍ଦ ।

 

ସେ ବୈଭବ ଆଜି ନାହିଁ ଏ ମଠରେ

ଦେବତା ପୂଜିତ ଚାଳଗୃହ ତଳେ ।

ଭକ୍ତଗଣ ମିଳି ଅଟାଳିକା ମାନ

ନିର୍ମିଛନ୍ତି ଏବେ ଦେଖିଛି ଅଧମ ।

 

ସିଦ୍ଧ ଗୁମ୍ଫା, ସାଧୁ ଗୁମ୍ଫା ବିଦ୍ୟମାନ

ସୁନ୍ଦର ଗ୍ରାମର ଉଚ୍ଚ ସ୍ଥାନମାନ ।

ଜଗମୋହନ କୁଦ ନାମରେ ବିଦିତ

ଗୁମ୍ଫାମାନ ଥିଲା ସାଧୁ ମୁନି ତୀର୍ଥ ।

ଶାନ୍ତ ପରିବେଶ, ନିର୍ମଳ ନିର୍ଝର

ତପ, ଜପ, ଧ୍ୟାନ ଲାଗି ଅନୁକୂଳ ।

 

ରାଧାକାନ୍ତ ମଠ

ନିଆଳୀ ନିକଟ ନୂଆ ଗାଁ ଗ୍ରାମ

ବଂଶୀଧର, ରାଧା ଏ ମଠେ ଉତ୍ତମ ।

ସବୁ ମଠ ମଧ୍ୟେ ଏହି ମଠ ଶ୍ରେଷ୍ଠ

ଗ୍ରାମବାସୀଙ୍କର ଦୁଇଦେବ ଇଷ୍ଟ ।

 

ପୂଜା, ପାରବଣେ ଗ୍ରାମବାସୀ ମିଳି

ଯୁଗଳ ବିଗ୍ରହ ଥାଆନ୍ତି ସଙ୍ଖୋଳି ।

ପୁଷ୍ପ, ନଇବେଦ୍ୟ, ଧୁପ, ଦୀପ ଦାନ

ଭକ୍ତିପୂତ ଚିତ୍ତେ କରନ୍ତି ଅର୍ଚ୍ଚନ ।

 

ଦୁଃଖୀ, ଅଭ୍ୟାଗତ ରହି ମଠ ସ୍ଥଳେ

ପ୍ରସାଦ ସେବନ କରନ୍ତି ଏଠାରେ ।

ଜମି, ଜମା, ଧନ, ସମ୍ପଦରେ ଭରା ।

ନୂଆ ଗାଁ ମଠର ଦିବ୍ୟ ପରମ୍ପରା ।

 

ପ୍ରଚଳିତ ବହୁକାଳୁ ଏହିଠାରେ

ଗରିବ ଛାତ୍ରଙ୍କୁ ଅନ୍ନଛତ୍ର ମିଳେ ।

ଫତେଗଡ଼ ଗ୍ରାମେ ଫତେଗଡ଼ ମଠ

ଦେବ ଦେବୀଙ୍କର ଅଟେ ପୁଣ୍ୟ ପୀଠ ।

ଗ୍ରାମ ଜନ ମିଳି କରନ୍ତି ଅର୍ଚ୍ଚନ

ମଠ ସ୍ଥିତ ବିଷ୍ଣୁ, ରାଧା ମୂର୍ତ୍ତିମାନ ।

Unknown

ପାଣ୍ଡବକୁଦ ମଠ

ଆମଣାକୁଦରେ ପାଣ୍ଡବଙ୍କ କୁଦ

ବନବାସେ ଥିଲେ ପାଣ୍ଡବ ଦାୟାଦ ।

ଏଣୁ ଏହା ପାଣ୍ଡବଙ୍କ ନାମେ ଖ୍ୟାତ

ସାହାଡ଼ା ଗୁଞ୍ଜଟି ନାମରେ ବିଦିତ ।

 

ଅର୍କତୀର୍ଥ ମଠ

ପ୍ରଭୁ ଅର୍କଦେବ ରହି ଏହି ସ୍ଥଳେ

ତପ, ଜପ, ଧ୍ୟାନ ଦେବ ଆରମ୍ଭିଲେ ।

ପାଇଥିଲେ ମନୋବାଞ୍ଛା ପୁଣ୍ୟ ବର

ଏଣୁ ଅର୍କ ତୀର୍ଥ ନାମ ଏ ସ୍ଥାନର ।

 

ନିଆଳୀ ଗ୍ରାମରୁ ଏକ କୋଶ ଦୂରେ

ଅର୍କ ମଠ ବିଦ୍ୟମାନ ଏ ସ୍ଥଳରେ ।

ସାଧୁ ସନ୍ଥ ଦଳ ରହି ଏହି ସ୍ଥଳ

ଜପ, ତପ, ଧ୍ୟାନେ ପାଉଥିଲେ ଫଳ ।

 

ଅନୁରିଆ ମଠ

ଯେଉଁଠି ପରାଚୀ ଦକ୍ଷିଣେ ଗମନ

ଅନୁରିଆ ମଠ ସ୍ଥିତ ଏହି ସ୍ଥାନ ।

ନାନା ସ୍ଥଳୁ ଆସି ବହୁ ମୁନି ଋଷି

ତପସ୍ୟା, ଧ୍ୟାନରେ ରହିଥିଲେ ବସି ।

 

ପାଇ ଦିବ୍ୟ ବର ପବିତ୍ର କ୍ଷେତ୍ରରୁ

ପରିବେଶ କରିଥିଲେ ଦିବ୍ୟ, ଚାରୁ ।

ନିଆଳୀ ଗ୍ରାମରୁ ନୁହେଁ ବହୁ ଦୂର

ଅନୁରିଆ ମଠ, ଶୋଭା ମନୋହର ।

 

ବନ ଉପବନେ ଭରା ଏହି ସ୍ଥଳୀ

ପ୍ରାତଃ, ସନ୍ଧ୍ୟା କାଳେ ବିହଙ୍ଗ କାକଳୀ ।

ହୃଦେ ଆଣେ ସ୍ଥାନ ଅପୂର୍ବ ଉନ୍ମାଦ

ମଳୟ ବହଇ ଏଠି ମନ୍ଦ ମନ୍ଦ ।

 

ସିଦ୍ଧ ମଠ

ପ୍ରାଚୀ, ଚନ୍ଦ୍ରମୌଳୀ ସଙ୍ଗମ ସ୍ଥଳରେ

ସିଦ୍ଧ ମଠ ସ୍ଥିତ ପ୍ରାଚୀ ଜଳ ଧାରେ ।

ସିଦ୍ଧ ଯୋଗୀ କୁଳ ରହି ଏହି ସ୍ଥଳ

ଜପ ତପେ କାଟୁଥିଲେ ନିଜ କାଳ ।

 

ନାଗେଶ୍ଵର, ଚ୍ୟୁତ, କନିଅର ଫୁଲ

ଶାଳ୍ମକୀ, ନିଆଳୀ, ଜାମୁ, ନାରିକେଳ ।

ଭରା ଥିଲା ବନ ବୃକ୍ଷ ଲତା ଘେରେ

ଋଷି, ମୁନି ଜପ ଧ୍ୟାନ ରଚୁଥିଲେ ।

 

ବିଷ୍ଣୁ ଭଗବାନ ରାଧା ଗୋପୀଗଣ

ପୂଜା ପାଉଛନ୍ତି ଏ ପବିତ୍ର ସ୍ଥାନ ।

ମାଧବ ପ୍ରଧାନ ସାହି ନିକଟର

ମଠ ବିଜେ ପୁର ଉମା ମହେଶ୍ଵର ।

 

ଗୋପାଳ ମଠ

ଗୋପାଳ ମଠଟି କେନ୍ଦୁ ପାଟଣାରେ

ବିଷ୍ଣୁ ପୂଜା ପା’ନ୍ତି ରହି ମଠ ସ୍ଥଳେ ।

ନୂତନ ମନ୍ଦିର ହୋଇଛି ନିର୍ମାଣ

ପୁରାତନ କୀର୍ତ୍ତୀ ହୋଇଅଛି ଶୂନ୍ୟ ।

 

ଗୁରୁଦେବ ମଠ

ପ୍ରାଚୀ ଉତ୍ତରେ ଗୁରୁଦେବ ମଠ

ଅବସ୍ଥିତ ଏବେ ବନ୍ଦେଶ୍ଵର ପୀଠ ।

ଚାଳଘର ତଳେ ପତିତପାବନ

ଗରୁଡ଼ର ସାଥେ ବିଜେ ଭଗବାନ ।

 

ଶିଷ୍ୟ, ଶିଷ୍ୟା ଗଣ ଆସି ଏହି ସ୍ଥଳ

କରନ୍ତି ଭକତି ପ୍ରତି ଗୁରୁବାର ।

ମନଇଚ୍ଛା ତାଙ୍କ ହୁଅଇ ପୂରଣ

ପୂର୍ଣିମା ତିଥିରେ ଅରପି ଭୋଜନ ।

 

ଗୁରୁଦେବ ଖିରୀ ଅତି ଚମତ୍କାର

ନର-ନାରୀ ମଧ୍ୟେ ପାଏ ସେ ଆଦର ।

ଯେଉଁ ଜନ ଏହି ଖିରୀ ଖାଇଅଛି

ସାରା ଦିନ ପାଇଁ ଭୁଲି ନ ପାରିଛି ।

 

ଆର୍ତ୍ତତ୍ରାଣ ମଠ, ବେଲବଣ

ପ୍ରାଚୀ ଉତ୍ତରରେ ଆର୍ତ୍ତତ୍ରାଣ ମଠ

ଉତ୍କଳ ମଣ୍ଡଳେ ଏ ସ୍ଥାନଟି ଶ୍ରେଷ୍ଠ ।

ଦୂର ଦୂର ପ୍ରାନ୍ତୁ ଆସି ଭକ୍ତଗଣ

ଗାଦିବ୍ରହ୍ମ ପାଶେ ପଶନ୍ତି ଶରଣ ।

 

ବାବା ସର୍ବେଶ୍ଵର ଶ୍ରେଷ୍ଠ ବିପ୍ରବର

ଶାସ୍ତ୍ର ଖୋଲୁଥିଲେ ପ୍ରତି ଶନିବାର ।

ବତାଉଣ ଥିଲେ ରୋଗର କାରଣ

ସାତବାର ଗାଦି କର ଦରଶନ ।

 

ଜଡ଼ିବୁଟି ବାଟି ଜଳରେ ମିଶାଇ

ଭକ୍ତ ଜନେ ଦେଉଥିଲେକ ପିଆଇ ।

ଅସାଧ୍ୟ ରୋଗରୁ ପାଇ ପରିତ୍ରାଣ ।

ଭକ୍ତଗଣ ଦେଉଥିଲେ ଧନ ଦାନ ।

 

ଭୋଜି ଭାତ କରି ଏଠି ଆୟୋଜନ ।

ଗରିବ, କାଙ୍ଗାଳ କରାଇ ଭୋଜନ ।

ହରୁଥିଲେ ପ୍ରଭୁ ରୋଗୀର କଷଣ ।

ଏଥିପାଇଁ ଖ୍ୟାତ ପ୍ରଭୁ ଆର୍ତ୍ତତ୍ରାଣ ।

 

ମକର ସଂକ୍ରାନ୍ତି ପବିତ୍ର ତିଥିରେ

ଶତ ଶତ ଭକ୍ତ ଜମି ଏ ସ୍ଥାନରେ ।

ଅଷ୍ଟ ପ୍ରହରୀର କରି ଆୟୋଜନ

ହରେ କୃଷ୍ଣ, ହରେ ରାମ ଜମି ନାମ ।

 

ବାଦନ, କୀର୍ତ୍ତନେ ହେଉଥିଲେ ଭୋଳ

ରାତି ଦିନ ଲାଗିଥାଏ ଜନଗୋଳ ।

ଅଷ୍ଟ ପ୍ରହରୀର ମେଳା ଚାଲେ ଏଠି

ପ୍ରାତଃ ପ୍ରାଚୀ ସ୍ନାନେ ଯାଉଥିଲେ ଯୁଟି ।

 

ଭକ୍ତିପୂତ ହୃଦେ ପୂଜି ଆର୍ତ୍ତତ୍ରାଣ

ଶାନ୍ତି ପାଉଥିଲେ ସର୍ବ ଯଜମାନ ।

ଅଦ୍ୟାଧି ଏ ରୀତି ଚାଲେ ଏ ସ୍ଥାନର

ଭକତ ଆସନ୍ତି ପ୍ରତି ଶନିଶ୍ଚର ।

 

ରୋଗ ମୁକ୍ତି ପାଇଁ ଖାଇ ଗୁଳ୍ମ, ଚେର

କରି ଆର୍ତ୍ତତ୍ରାଣେ ଜୟ ଜୟ କାର ।

ପୂଜି ଭକ୍ତି ଚିତ୍ତେ ଆର୍ତ୍ତତ୍ରାଣ ଗାଦୀ

ପୂରା କରୁଥିଲେ ମନର ଦୋସନ୍ଧି ।

 

ବାଲିସାହି ମଠ

ପ୍ରାଚୀ ଦକ୍ଷିଣରେ ଥିଲା ଘୋର ବନ

ଝାଡ଼ ବନେ ନାମେ ଖ୍ୟାତ ଥିଲା ନାମ ।

ବ୍ୟାଘ୍ର, ସିଂହ, ଭାଲୁ, ଶୃଗାଳ, ହରିଣ

ବନ ମଧ୍ୟେ କରୁଥିଲେ ବିଚରଣ ।

 

ଏ ଘଞ୍ଚ ଜଙ୍ଗଲ କେନ୍ଦ୍ରସ୍ଥଳୀ ପରେ

ବାଲିସାହି ମଠେ ସନ୍ନ୍ୟାସୀଏ ଥିଲେ ।

ବନ ଫଳ, ମୂଳ କରିଣ ଆହାର

ତପ, ଜପ, ଧ୍ୟାନେ ଥିଲେ ତତ୍‌ପର ।

 

ହିଂସ୍ର ଜନ୍ତୁଗଣ ଆଶ୍ରମ ପ୍ରାନ୍ତରେ

ବ୍ୟାଘ୍ର ଓ ହରିଣ ଭଲ୍ଲୁକର ଦଳେ ।

ଭ୍ରମଣ ଆଶ୍ରମ ପାଶେ ଥିଲା ତାଙ୍କ

ମଠବାସୀ ହୃଦେ ନ ଥିଲା ଆତଙ୍କ ।

 

ମଠାଧୀଷ ବାଲିସାହି ସାଧୁବର

ଗେଲ କରୁଥିଲେ ବ୍ୟାଘ୍ର ସ୍ଵହସ୍ତର ।

ହରିଣ, ହରିଣୀ ଶାବକଙ୍କୁ ଆଣି

ଅର୍ପୁଥିଲେ ଖାଦ୍ୟ ପିଆଇଣ ପାଣି ।

 

କେହି ରୋଗୀ ଭୋକି ଆଶ୍ରମେ ରହିଲେ

ବାବା ଯାଉଥିଲେ ଅରଣ୍ୟ ମଧ୍ୟରେ ।

ଚେର, ମୂଳ କିଛି ଧରି ସ୍ଵହସ୍ତର

ଦାନ କରୁଥିଲେ ଜନତା ହାତର ।

 

ଭକ୍ଷଣ କରିବା ପାଇଁ କି ନିର୍ଦ୍ଦେଶ

ଦେଉଥିଲେ ପାଶେ ରହି ମୂନି ଈଷ ।

ସକଳ ଭକତ ଜନଙ୍କ କଷଣ

ଦୂର ହେଉଥିଲା ପହଞ୍ଚି ଆଶ୍ରମ ।

 

ଯାହା ଇଚ୍ଛୁଥିଲେ ତାହା କରୁଥିଲେ

ପାଗଳଙ୍କ ପରି ଦେଖା ଯାଉଥିଲେ ।

ଥିଲେ କିନ୍ତୁ ସାଧୁ ଶ୍ରେଷ୍ଠ ସିଦ୍ଧ ଯୋଗୀ

ହସ ମୁଖ ଥିଲେ ସଦା ଦୁଃଖ ଭୋଗୀ ।

 

ଚନ୍ଦ୍ରମୌଳି ବା ଚନ୍ଦ୍ରଶେଖର ମଠ

ମାଧବ ଗ୍ରାମରୁ ଏକ କୋଶ ଦୂରେ

ଚନ୍ଦ୍ରମୌଳି ମଠ ସ୍ଥିତ ବାଲି ସ୍ଥଳେ ।

ଶତ ଶତ ଆମ୍ର, ପନସର ବୃକ୍ଷ

ମଠଟି ଏକାନ୍ତ ଲାଗେ ଅତି ରୁକ୍ଷ ।

 

ତଥାପି ମଠର ପ୍ରସିଦ୍ଧି ଅପାର

ଭୋଇ ସାଧୁ ଜଣେ ଥିଲେ ମଠ ପର ।

ଭିକ୍ଷା ବୃତ୍ତି ପାଇଁ ଭ୍ରମି ଗ୍ରାମ ଗ୍ରାମ

ରଚିଲେ ଆଶ୍ରମ ନିରିଜନ ସ୍ଥାନ ।

 

ଦୀନ, ଦୁଃଖୀ ପରି କାଟୁଥିଲେ ଦିନ

ନାନା ଗ୍ରାମୁ ଆଣି ଚ୍ୟୁତ ଚାରା ମାନ ।

ରୋପଣ କରିଣ ବାବା ସ୍ଵହସ୍ତରେ

ଜଳ, ଖତ ଦେଇ ବୃକ୍ଷ ବଢ଼ାଇଲେ ।

 

ବୃକ୍ଷ ଧୀରେ ଧୀରେ ହେଲା ବୃଦ୍ଧି ପ୍ରାପ୍ତ

ଦୁଷ୍ଟେ ବଢ଼ାଇଲେ ବୃକ୍ଷେ ନିଜ ହାତ ।

କାଟି ନେବା ପାଇଁ ସକଳ ପାଦପ

ଏଣୁ ବାବା ଦେଲେ ବୃକ୍ଷ ଅଭିଶାପ ।

 

ଏପରି ଆକାର ହେବ ବୃକ୍ଷ ରାଜ

ତୁମ ତନୁ, କେବେ ନ ଲାଗିବ କାର୍ଯ୍ୟ ।

ହେବନାହିଁ ଲୋଡ଼ା ଲଙ୍ଗଳ ଗଠନେ

କିମ୍ବା ପନିକିର ବସିବା ଆସନେ ।

 

ସେହିକାଳୁ ବୃକ୍ଷ ଅଛି ଅଦ୍ୟାବଧି

ପଣ୍ଡ ହୋଇଅଛି ସବୁ କାରସାଦି ।

କେହି କାଟନ୍ତିନି ଏହି ବୃକ୍ଷମାନ

ପୂର୍ବ ପରି ଅଛି ଏଠି ବିଦ୍ୟମାନ ।

 

ପକ୍ୱ ଫଳ ଭୁଞ୍ଜି ଦୁଃଖୀ, ପଥଚାରୀ

କ୍ଷୁଧା ତୃଷା ଥାନ୍ତି ଏ ଆଶ୍ରମେ ହରି ।

 

ଉତ୍ତରାୟଣୀ ମଠ

କେଶରାଇପୁର ବିପରୀତ ପାଶେ

ଉତ୍ତରାୟଣୀ ମଠ ବୃକ୍ଷ ବନେ ହସେ ।

ମନ୍ଦିର ଅଛଇଁ ମଠର ମଧ୍ୟର

ପୂଜା ପା’ନ୍ତି ବିଷ୍ଣୁ, ରାଧା ଆଉ ହର ।

 

ପିତୃ ତୀର୍ଥ ବିଦ୍ୟମାନ ଏ ସ୍ଥାନର

ପିତୃ ପିଣ୍ଡ ଦାନ ହୁଏ ନିରନ୍ତର ।

ତୀର୍ଥ ସ୍ଥାନ ସାରି ମଠ ଦରଶନେ

ପୁଣ୍ୟ ଫଳ ଲଭିଥାନ୍ତି ଭକ୍ତ ଜନେ ।

 

ସୁପୁତ୍ର ଲଭନ୍ତି ପିତୃତୀର୍ଥ ସ୍ନାନେ

ସତ୍ୟ ଧର୍ମ ଭକ୍ତେ ଲଭନ୍ତି ଭୁବନେ ।

ପିତୃ ପୁରୁଷଙ୍କୁ କଲେ ସନମାନ

ଚତୁଃବର୍ଗ ଫଳ ଲଭେ ମୂଢ଼ ଜନ ।

 

ଚାରିଧାମେ ପିଣ୍ଡ ଦାନ ଧର୍ମ କରି

ପିତୃ ପିତାମହେ ଦେଇ ପ୍ରାଚୀ ବାରି ।

ହୁଏ ଜଗତରେ ନାରାୟଣ ସମ

ଧନ୍ୟ ହୁଏ ଭକ୍ତ ଧନ୍ୟ କୁଳ ଧର୍ମ ।

 

ପ୍ରତିବର୍ଷ ମାଘ ସପ୍ତମୀ ଦିନର

ମେଳା ବସିଥାଏ ଉତ୍ତରାଣୀ ପର ।

ଜନ ସମାଗମ ହୁଅଇ ବହୁତ

ପାଲା, ଅପେରାରେ ପୁରିଉଠେ କ୍ଷେତ ।

 

ପରସାଦ ଦାନ ହୁଏ ଦିବସରେ

ନରନାରୀ, ବାଳ ଆସନ୍ତି ଯାତରେ ।

କରନ୍ତି ରମଣ ଉତ୍ତରାଣୀ ମଠ

କଟିଯାଏ ତାଙ୍କ ସକଳ ଅନିଷ୍ଟ ।

 

ଧୂନିଆଁବାବା ମଠ

ଚଉରାଶି ଗ୍ରାମ ପ୍ରାଚୀ ପୂର୍ବତଟ

ଧୂନ ବାବାଙ୍କର ଅଛି ଦିବ୍ୟ ମଠ ।

ରାତିଦିନ ଏଠି ଯଜ୍ଞ ଚାଲୁଥାଇ

ବାବାଙ୍କ ସାଥିରେ ଭକ୍ତଗଣ ରହି ।

 

ତେଣୁ ଏ ମଠର ନାମଟି ଧୂନିଆଁ

ବାବାଙ୍କର ଖ୍ୟାତି ଜାଣଇ ଦୁନିଆଁ ।

ବାଂଶ, ଆମ୍ର, ଲିମ୍ବ, ଜାମୁ, ନାରିକେଳ

ମଧ୍ୟ ଚତୁପାର୍ଶ୍ଵ ବିଶାଳ ଜଙ୍ଗଲ ।

 

ଶାନ୍ତ ସୁମଧୁର ପ୍ରାଚୀ ନଦୀ ଧାର

ନିତି ଧୌତ କରେ ପଦ ଏ ମଠର ।

ବ୍ରାହ୍ମ ମୁହୂର୍ତ୍ତରୁ ବାବା କରି ସ୍ନାନ

ମନ ନିବେଶନ୍ତି ପୂଜା, ଜପ, ଧ୍ୟାନ ।

 

ମହା ସିଦ୍ଧ ଯୋଗୀ ସାକ୍ଷାତ ଈଶ୍ୱର

ବାବା ଲଭିଥିଲେ ଅତି ପୁଣ୍ୟ ଫଳ ।

କହିଥିଲେ ବାବା ଶିଷ୍ୟଙ୍କୁ ଡକାଇ

ତାଙ୍କ ଶେଷ କାଳ ପାଖେଇ ଆସଇ ।

 

ଖନନ କର ହେ ଗୋଟିଏ ସମାଧ୍ୟ ।

ସ୍ଵଦେହରେ ବାବା ଲଭିବେ ସମାଧି ।

ଅନ୍ତର୍ଦ୍ଧାନ ବେଳ ହେଲା ଉପସ୍ଥିତ

ଭକ୍ତଜନ ଗାଇ ଜଣାଣ ସଙ୍ଗୀତ ।

 

ଜୀବନ୍ତରେ ବାବା ଗର୍ତ୍ତ ମଧ୍ୟେ ଗଲେ

ଘୋଡ଼ାଯିବ ମାଟି ସମାଧି ଉପରେ ।

ତାହାଙ୍କ ଆଦେଶ କରିଣ ପାଳନ

ପ୍ରୟାଣ ସମୟେ ମିଳି ଶିଷ୍ୟଗଣ ।

 

ଆଚ୍ଛାଦିଲେ ମାଟି ବାବା ସମାଧିରେ

ଭଜନ କୀର୍ତ୍ତନେ ବାବାଙ୍କୁ ସ୍ମରିଲେ ।

ସେହି ଦିବସରେ ବାଲିଘାଇ (ପୁରୀ) ଠାରେ

ଭକ୍ତମାନେ ବାବା ଦେଖିଲେ ସେଠାରେ ।

 

ପଚାରିଲେ ବାବା ଯାଅ କେଉଁଠାର

ହସି ବାବା ଦେଲେ ଭକ୍ତଙ୍କ ଭତ୍ତର ।

ଯାଉଛନ୍ତି ସେହି ପୁରୀ ଧାମ ପର

ଭକ୍ତ ପୁଛା କଲେ ଫେରିବାର ବେଳ ।

 

ହସ୍ତ ଉଠାଇଣ ଉର୍ଦ୍ଧ୍ୱକୁ ସଧୀରେ

ଉତ୍ତରିଲେ ବାବା ଆନନ୍ଦ ମନରେ ।

ଏ କଥା ଜାଣନ୍ତି ପ୍ରଭୁ ଜଗନ୍ନାଥ

ଭକତ ଜନଙ୍କ ଫେଡ଼ନ୍ତି ଦୂରିତ ।

 

ଫେରି ନିଜ ଗୃହେ ବାବା ଭକ୍ତ ଗଣ

ଧୂନ ବାବା ମଠେ କଲେକ ଗମନ ।

ବାବାଙ୍କ ବିୟୋଗେ ଦୁଃଖୀ ଭକ୍ତ ଜନ

ତାଙ୍କ ତିରୋଧାନେ ଭଜନ କୀର୍ତ୍ତନ ।

 

ଚାଲିଅଛି ବୋଲି ଜାଣିଲେ ଭକତ

କହିଲେ ଏ କଥା ଲାଗେ ବିପରୀତ ।

ବାଲିଘାଇ ଠାରେ ବାବାଙ୍କୁ ଭେଟିଲେ

ଫେରିବାର ଦିନ ବାବାଙ୍କୁ ପୁଚ୍ଛିଲେ ।

 

ବାବା ତ କହିଲେ ଜାଣେ ଜଗନ୍ନାଥ

ଆଶ୍ରମରେ ଚାଲେ ବିୟୋଗ ସଙ୍ଗୀତ ।

ସିଦ୍ଧ ଯୋଗୀ ଥିଲେ ବାବା ଧୂନେଶ୍ଵର

ଜପ, ତପ, କରି ପ୍ରାଚୀ ନଦୀ ଧାର ।

 

ଅପର୍ତ୍ତି ବାବା ମଠ

ପ୍ରାଚୀ ପୂର୍ବ ତଟେ ସ୍ଥିତ ଏକ ମଠ

ଗୋତୀର୍ଥର ପୂର୍ବ ଅତି ହିଁ ନିକଟ ।

ଆକାରରେ କ୍ଷୁଦ୍ର ହେଲେ ମଠ ସ୍ଥଳ

କୀରତିର ବଳେ ପ୍ରସିଦ୍ଧ ଉତ୍କଳ ।

 

ମଠାଧୀଷ ଥଲେ ବାଳ ବ୍ରହ୍ମଚାରୀ

ଗୋତୀର୍ଥ ସ୍ଥଳକୁ ଥିଲେ କ ଆଦରି ।

ମାତଙ୍ଗ ମୁନିଙ୍କ ସମାଧିର ସ୍ଥଳେ

କାଳ କାଟୁଥିଲେ ରହି ଏକାନ୍ତରେ ।

 

ଧ୍ୟାନ, ଜପ, ତପ ସ୍ନାନ ପରେ କରି

ପୂଜା କରୁଥିଲେ ସମାଧିର ସ୍ଥଳୀ ।

ଫଳ ମୂଳ କରି ଋଷି ସମର୍ପଣ

(ତତ୍‌ପରେ) କରୁଥିଲେ ସାଧୁ କ୍ଷୁଧା ନିବାରଣ ।

 

ଦେଖୁ ଦୁଃଖୀ ରଙ୍କି ନିରନ୍ନ ମାନବ

ଅନ୍ନ ବାଣ୍ଟୁଥିଲେ ପୂଜିଣ ମାଧବ ।

ନାମ ସଂକୀର୍ତ୍ତନ ପୂଜା ପାଠ ସାଥ

ପୂର୍ଣ୍ଣ କରୁଥିଲେ ସାଧୁ ମନୋରଥ ।

 

ତାଙ୍କ ନାମେ ମଠ ଅପର୍ତ୍ତି ବାବାଙ୍କ

ଜାଣିଥିଲେ ଜନ ବାବାଙ୍କର ଲୋକ ।

ଏକ କୋଶ ଦୂରେ ଅନ୍ୟ ଏକ ମଠ

ଖୀରକୋଳି ବନେ ଭରା ଥିଲା ପୀଠ ।

 

ମକର ସଂକ୍ରାନ୍ତି ଦିବସେ ଏ ସ୍ଥାନେ

ରୁଣ୍ଡ ହୋଇଥାନ୍ତି ବହୁ ବିଜ୍ଞ ଜନେ ।

ଗୀତା, ଭାଗବତ, ପରାୟଣ କରି

ଆରମ୍ଭୁଣ ଥିଲେ ଅଷ୍ଟମ ପ୍ରହରୀ ।

 

ଦାନ ଧର୍ମ ଅନ୍ନ କରି ବିତରଣ

ମୁକ୍ତି ଲଭୁଥିଲେ ଏଠି ଭକ୍ତ ଜନ ।

ଏଣୁ ଖୀର ଗଛ ମଠ ନାମେ ଏହା

ଯଜ୍ଞ ସ୍ଥଳେ ଘୃତ କରୁଥିଲେ ସ୍ଵାହା ।

 

ଗୋପାଳୀକୁଦ ମଠ

ପ୍ରାଚୀ ପୂର୍ବ ତଟେ ବିସ୍ତୀର୍ଣ୍ଣ ପ୍ରାନ୍ତରେ

ଗୋପାଳଜୀ ମଠ ବାଲୁକା କୁଦରେ ।

ସ୍ଥିତ ଥାଇ ଆମ୍ର ପନସ ବୃକ୍ଷରେ

ଜନମନ ମୋହେ ପୂର୍ଣ୍ଣିମା ତିଥିରେ ।

 

ବାଳକୃଷ୍ଣ ତହିଁ ଗୋପାଳ ରୂପରେ

ପୂଜିତ ହୁଅନ୍ତି ପୀଠ ମନ୍ଦିରରେ ।

ସାଧବେ ବୋଇତ ବାନ୍ଧି ଲୌହ ସ୍ତମ୍ବେ

ରାତ୍ର କାଟୁଥିଲେ ରହି ଏହି ଠାବେ ।

 

ପାର୍ଶ୍ଵେ ବିରାଜିତ ଏକ ଦିବ୍ୟ ବସ୍ତି ।

ବ୍ୟବସାୟୀ ବର୍ଗ ଏ ଗ୍ରାମେ ଅଛନ୍ତି ।

କୁଦପାଟଣାର ନାମେ ଗ୍ରାମ ଖ୍ୟାତ

ବିଶ୍ରମୁଣ ଥିଲା ତହିଁ ଶତ ପୋତ ।

 

ମଧୁବାବା ମଠ ବା ପ୍ରାଚୀ ଗୁରୁଧାମ ମଠ

ନୟାହାଟ ପାଶେ ଶ୍ମଶାନ ଭୂମିରେ

ମଧୁବାବା ଆସି ମଠ ଆରମ୍ଭିଲେ ।

ଆଜନ୍ମରୁ ଥିଲେ ବାଳ ବ୍ରହ୍ମଚାରୀ

ପ୍ରାଚୀ ତଟ ଶ୍ରେଷ୍ଠ ସ୍ଥଳ ସେ ବିଚାରି ।

 

ନିପାଣିଆ ଗଡ଼ ସାଆନ୍ତ ଅଞ୍ଚଳେ

ଶିଷ୍ୟ ମେଳେ ବାବା ତପ ଆରମ୍ଭିଲେ ।

ଶତ ଶତ ଶିଷ୍ୟ, ଶିଷ୍ୟା ଗଣ ରହି

ବାବାଙ୍କ ଚରଣ ଭକ୍ତି ଭରେ ଧ୍ୟାୟୀ ।

 

ବାବା ସ୍ଵର୍ଗବାସ କରିବା ପୁର୍ବରୁ

ଶିଷ୍ୟକୁ ସ୍ଵପନେ କହିଗଲେ ଗୁରୁ ।

ରତ୍ନାକର ଜାଣ ଅଛି ତୁମ ନାମ

ତୁମେ ସମ୍ଭାଳିବ ମୋର ଗୁରୁଧାମ ।

 

ଡାକ୍ତର ହୋଇ ତ ରୋଗୀ ସେବା କର

ଏବେ ତ ସମ୍ଭାଳ ମଠ ଗୁରୁଭାର ।

ଶିଷ୍ୟ ଦାନ ଦେବେ ଧନ ତ ବହୁତ

ଖର୍ଚ୍ଚ କରିବନି ଧନ ନିଜ ହିତ ।

 

କରିବ ସୁନ୍ଦର ମନ୍ଦିର ନିର୍ମାଣ

ଆମନ୍ତ୍ରିବ ମଠେ ସର୍ବ ସାଧୁଜନ ।

କରିବ ପ୍ରଭୁଙ୍କ ଭଜନ କୀର୍ତ୍ତନ

ବଣ୍ଟନ କରିବ ଜଳ, ଅନ୍ନ, ଧନ ।

 

ଦୁଃଖୀ ରଙ୍କିଙ୍କର କରୁଥିବ ସେବା

ମୋର ଧର୍ମ ପ୍ରଚାରିବ ଡାକି ଶିବା ।

କରୁଥିଲେ ମନୋବାଞ୍ଛା ପରିପୂର୍ଣ୍ଣ

ବିଖ୍ୟାତ ହୋଇଲେ ବାବା ପ୍ରାଚୀ ଧାମ ।

 

ଅକ୍ଷୟ ତୃତୀୟା ପବିତ୍ର ଦିବସେ

ଶତ ଶିଷ୍ୟ ଆସୁଛନ୍ତି ବାବା ପାଶେ ।

ଭଜନ କୀର୍ତ୍ତନ ତପ ଜପ ଯଜ୍ଞ

ମୁକତି ଲଭନ୍ତି ଶତ ଶତ ଅଜ୍ଞ ।

 

ଯେ ଜନ ପାଇଛି ବାବାଙ୍କ ବିଭୂତି

ଜଗତେ ଲଭିଛି ସେହି ଜନ ଖ୍ୟାତି ।

ଜ୍ଞାନ, ବୁଦ୍ଧି, ବିଦ୍ୟା ବିବେକର ବଳେ

ପ୍ରସିଦ୍ଧି ଲଭିଛି ଏହି ଭୂମଣ୍ଡଳେ ।

 

ବିଶ୍ୱାମିତ୍ର ମଠ

କାକଟପୁରରେ ମଙ୍ଗଳାଙ୍କ ପୀଠ

ପାଶେ ବିରାଜିତ ବିଶ୍ଵାମିତ୍ର ମଠ ।

ମହର୍ଷି ପ୍ରବର ରହି ପ୍ରାଚୀ ତୀର

ଜପ ତପେ କାଟୁଥିଲେ ଏହି ସ୍ଥଳ ।

 

ସ୍ଥାପି ତିନି ମୂର୍ତ୍ତି ବିଷ୍ଣୁ ଭଗବାନ

ବରାହ, ନୃସିଂହ, ଜଗନ୍ନାଥ ନାମ ।

ପୂଜୁଥିଲେ ମଠ ମନ୍ଦିର ମଧ୍ୟରେ

ନିତି ଅବଗାହୀ ପ୍ରାଚୀ ପୁଣ୍ୟ ଜଳେ ।

 

ସେ ସ୍ଥାନ ମନ୍ଦିର ମିଶିଛି ମାଟିରେ

ଦେବ ତ୍ରୟ ଛନ୍ତି ଏବେ ଚାଳଘରେ ।

ଅତି ମନୋରମ ଏହି ମଠ ସ୍ଥଳ

ସାଧୁ ଋଷିଙ୍କର ସଂଗମର ମୂଳ ।

 

ମେଳା ମହୋତ୍ସବେ ସାଧୁ ସନ୍ଥ ମିଳି

ଧର୍ମ ଚର୍ଚ୍ଚା ଆରମ୍ଭନ୍ତି ଏହି ସ୍ଥଳୀ ।

ପ୍ରଭୁ ଜଗନ୍ନାଥ ପୀତବାସ ନାମେ

ପୂଜିତ ହୁଅନ୍ତି ହରିଦାଶ ଗ୍ରାମେ ।

 

ଏହି ଗ୍ରାମେ ସ୍ଥିତ ଚକାକର ମଠ

ଦେଉଳି ନାମରେ ଲୋକରେ ବିଦିତ ।

କାକଟପୁରର ପ୍ରାଚୀ ପୂର୍ବ ତଟେ

ଚକିଆ ମଠର ନାମଟି ପ୍ରକଟେ ।

 

ଚକିଆ ମଠରୁ ଦୁଇ କୋଶ ଦୂରେ

ଦେଉଳି ମଠଟି ଅଛି ପ୍ରାଚୀ ତୀରେ ।

ନବକଳେବର ସମୟେ ଏ ମଠ

ପଣ୍ଡା, ପଢ଼ିଆରୀ ହିଅନି ଏକତ୍ର ।

 

ପୂଜା ପାଠ ପରେ ମଙ୍ଗଳା ମନ୍ଦିରେ

ଅଧିଆ ପଡ଼ନ୍ତି ଦାରୁ ସନ୍ଧାନରେ ।

ଚତୁର୍ଦ୍ଧା ମୂରତି ନିର୍ମାଣର ପାଇଁ

ଲିମ୍ବ କାଠ ଦାରୁ ମିଳେ ନାନା ଠାଇଁ ।

 

ପୂଜା ଯଜ୍ଞ ପରେ ମୂରତି ନିର୍ମାଣ

କୋଇଲି ବୌକୁଣ୍ଠ ନିକଟରେ ଜାଣ ।

ମୂର୍ତ୍ତି ମଧ୍ୟେ ତହିଁ ବ୍ରହ୍ମର ସ୍ଥାପନା

ନବକଳେବର ପର୍ବର ଯୋଜନା ।

 

ଅତିବଡ଼ି ମଠେ ପ୍ରଭୁ ଜଗନ୍ନାଥ

ପତିତପାବନ ନାମରେ ବିଦିତ ।

ମନ୍ଦିର ବିହୁନେ ଚାଳଘରେ ଥାଇ

ପୂଜିତ ହିଅନ୍ତି ପ୍ରଭୁ ଭାବଗ୍ରାହୀ ।

 

ଅତିବଡ଼ି ମଠ ପାଶେ ପଞ୍ଚବଟୀ

ଏ ମଠ ଥାପିଲେ ସାଧୁଜନ ଭେଟି ।

ପ୍ରାଚୀ ପୂର୍ବ ତଟେ ଏ ମଠ ବିଖ୍ୟାତ

ବହୁ ଭକ୍ତଜନ ହୋନ୍ତି ଆତଯାତ ।

 

ସାଗର ସମୀପେ ପ୍ରାଚୀ ପୂର୍ବ ଧାରେ

ଅପ୍‌ସରା ମଠ ସ୍ଥିତ ଏହି ଠାରେ ।

ବନ୍ତ ମଠ ଠାରୁ ତିନି ମାଇଲରେ

ଅପ୍‌ସରା ମଠ ପ୍ରସିଦ୍ଧ ଉତ୍କଳେ ।

 

କାଦୁଆ ନଦୀର ଅନତି ଦୂରରେ

କଳାବୋଦା ମଠ ପ୍ରସିଦ୍ଧ ଉତ୍କଳେ ।

ସାଧୁ ଏକ ଥାଇ ଏ ମଠ ମଧ୍ୟର

ହୁକୁମ ଦିଅନ୍ତି ନାରୀ ଆଉ ନର ।

 

ଚେରମୂଳି ଖୋଜି ବନ ପ୍ରାନ୍ତରରୁ

ରୋଗ ନିବାରନ୍ତି ଏହି ଔଷଧିରୁ ।

ଡାକି ଦୁଃଖୀ ରଙ୍କି ଗରିବ ବାଳକ

ଅନ୍ନ ବସ୍ତ୍ର ବାବା ବାଣ୍ଟନ୍ତି ଅନେକ ।

 

କୋଣାରକ ସ୍ଥଳେ ଅର୍କ ତୀର୍ଥ ଯହିଁ

ଭବବତୀ, ମୈତ୍ରେୟନ ବନ ରହି ।

ଅବଧି ମଠର ମହିମା ଅପାର

ଅଛି ମଠ ଦ୍ୱୟ କୋଣାରକ ଠାର ।

 

ପ୍ରାଚୀତଟୀୟ ଗଡ଼

ଉତ୍କଳ ପାବନୀ ପ୍ରାଚୀ ପୁଣ୍ୟ ଧାର

ନାନା ସଭ୍ୟତାର ଥରିଲା ଗନ୍ତାଘର ।

ସ୍ଵଭାବେ ପ୍ରକୃତି ରମ୍ୟ ଉପବନ

ମୁନି, ଋଷିଙ୍କର ଥିଲା ତପ ସ୍ଥାନ ।

 

ଘନ ଅରଣ୍ୟର ଶାନ୍ତ ରମ୍ୟ ସ୍ଥଳେ

ନାନା ଦେବ ଦେବୀ ପୀଠ ରଚିଥିଲେ ।

ଉତ୍କଳ ନରେଶ ପାଇ ଏ ସନ୍ଦେଶ

ପରିକ୍ରମି ଥିଲେ ପ୍ରାଚୀ କୂଳ ପାଶ ।

 

ବୀର ପାଇକଙ୍କୁ ସାଥିରେ ହକାରି

ନିରୂପିଣ ଥଲେ ମନୋରମ ସ୍ଥଳୀ ।

ନିର୍ମିଲେ ଅପାର ଗଡ଼ ପ୍ରାଚୀ ତୀରେ

ଇଟାର ତୋରଣ ଗଡ଼ ଆକାରରେ ।

 

ବହି ଗଡ଼ ଦୂର୍ଗ ମାଟିରେ ମିଶିଛି

ଇଟା ଖଣ୍ଡମାନ ଖନନେ ମିଳୁଛି ।

ଯେ ସ୍ଥାନୁ ଅଟଇ ପ୍ରାଚୀ ଉଦ୍‌ଭବ

ଗଙ୍ଗ ବଂଶ ରାଜା ଚୋଡ଼ଗଙ୍ଗଦେବ ।

 

ବାଲୁକା ପ୍ରସ୍ତର ଆଣି ଦୂର ସ୍ଥଳୁ

ନିର୍ମିଥିଲେ ଦୂର୍ଗ ଭବ୍ୟ ଅତି ଚାରୁ ।

ବିରୀଜିତ ଅଛି ମନ୍ଦିର ସେ ସ୍ଥଳେ

ଗୃହ, ପୁଷ୍କରିଣୀ ଦୂର୍ଗର ମଧ୍ୟରେ ।

 

ଚଉରାଶି ଠାରୁ ଦୁଇ କୋଶ ଦୂର

ବ୍ୟାପ୍ତ ଥଲା ଗଡ଼ ଶ୍ରୀ ଅମରେଶ୍ଵର ।

ଅମର ପ୍ରସାଦ ଅଟେ ଅନ୍ୟ ନାମ

ବହୁ ଗ୍ରାମ ବିରାଜିତ ଏହି ସ୍ତାନ ।

 

ପାତ୍ର, ମହାପାତ୍ର ରହି ଏହି ସ୍ଥଳ

ଦୂର୍ଗ ରକ୍ଷା କାମେ ଥିଲେ ତତ୍‌ପର ।

ତୁଳସୀପୁରଠୁଁ ଏକ କୋଶ ଦୂରେ

ସଭାମଣ୍ଡପର ସ୍ଥଳ କାନନରେ ।

 

ବିରାଜିତ ଥିଲା ନିର୍ମିତ ଇଟାରେ

ମଣ୍ଡପଟି ଅଛି ଭାଣପୁର ଠାରେ ।

ଉତ୍କଳ ରାଜନ ରହି ଏହି ସ୍ଥଳେ

ସଭା ଆୟୋଜନ ପ୍ରଜାଙ୍କ ମେଳରେ ।

 

କରୁଥିଲେ ବୋଲି କହେ ଇତିହାସ

ଶ୍ୟାମ ତ୍ରିପାଠୀଙ୍କ ଗ୍ରନ୍ଥେ ଏ ସନ୍ଦେଶ ।

ଖନନ କରିଲେ ଏହି ପୁଣ୍ୟ ସ୍ଥଳ

ଅତୀତ ଗୌରବ ହେବ ଆବିଷ୍କାର ।

 

ନିଆଳୀ ନିକଟେ ଭଅଁରା ଗଡ଼ରେ

ଆମ୍‌ଣାକୁଦ ଗଡ଼ ଥିଲା ସେ ସ୍ଥଳରେ ।

ଆଉ ଏକ ଗଡ଼ ଶ୍ରୀକୃଷ୍ଣ ପ୍ରସାଦ

ମୋଟିଆଁ ଗ୍ରାମର ପାଶ ବାଲିକୁଦ ।

 

ମୂକ ସାକ୍ଷୀ ରୂପେ ଥାଇ ମହାଦେବ

ଗ୍ରାମବାସୀଙ୍କର ଫେଡ଼ନ୍ତି ପ୍ରମାଦ ।

ନିପାଣିଆ ଗଡ଼ ପ୍ରାଚୀ ତଟ ପରେ

ବିରାଜିତ ଅଛି ନୟାହାଟ ଠାରେ ।

 

ଏ ଗଡ଼ ସାଆନ୍ତ ଥିଲେ ବଳବନ୍ତ

ଭୟେ କମ୍ପୁଥିଲେ ପରଜା ସମସ୍ତ ।

ଗଡ଼ ମଧ୍ୟେ ଥାପି ଦୁର୍ଗା କାତ୍ୟାୟନୀ

ଅସ୍ତ୍ର ପୂଜା କରୁଥିଲେ ଏଠି ଆଣି ।

 

ଦଶରା ପରବ ମହା ଆଡ଼ମ୍ବରେ

ପାଳିତ ହିଅଇ ଶୁଭ ଅବସରେ ।

କାକଟପୁରର ପାଶେ ମୂଳାଗଡ଼

କୁରୁମ ପାଶରେ ଅଛି ଖୋଲା ଗଡ଼ (ଖୋଲରା) ।

 

ଇଟାରେ ନିର୍ମିତ ହୋଇଥିଲା ଗଡ଼

ପାଇକଙ୍କ ଜମି ଥିଲା ତହିଁ ବାଡ଼ ।

ମରାଠା ଶାସନ କାଳୁ ଗଡ଼ ସ୍ଥଳ

ପାଇକ ବିଦ୍ରୋହ ଦେଖୁଥିଲା ବଡ଼ ।

 

ନାନା ଦେବଦେବୀ ଗଡ଼ ମଧ୍ୟେ ଥିଲେ

ବିଜୟ କାଳରେ ପାଇକ ସକଳେ ।

ପୂଜି ଦେବତାଙ୍କୁ ମଥାରେ ସିନ୍ଦୁର

ଥାପି ଚଳୁଥିଲେ ରଣ କ୍ଷେତ୍ର ସ୍ଥଳ ।

 

ବାରଭୁଜା ଦୁର୍ଗା ଆମଣାକୁଦରେ

ବରଦାତ୍ରୀ ଦେବୀ ପାଇକଙ୍କ ଥିଲେ ।

କୁଣ୍ଡଳ ଈଶ୍ଵର ଏବେ ବିରାଜିତ

କାଳର କବଳେ ମନ୍ଦିର ଚୂର୍ଣ୍ଣିତ ।

 

ପ୍ରାଚୀ, ଲଳିତାର ସଙ୍ଗମ ସ୍ଥଳରେ

ଅମରପ୍ରସାଦ ଦୂର୍ଗ ବିଜେ କରେ ।

ଚତୁର୍ଭୁଜା ଦୁର୍ଗା ଚିତ୍ରେଶ୍ଵରୀ ନାମେ

ବିରାଜିତ ଏବେ ସାଗର ସଙ୍ଗମେ ।

 

ଉତ୍ତପାଲେଶ୍ଵର ପ୍ରଭୁ ମହାଦେବ

ପାରବତୀ ଦେବୀ ଥିଲେ ଏହି ଠାବ ।

ଆଲୋକ ସ୍ତମ୍ଭଟି ଥାଇ ଏହି ସ୍ଥଳ

ନାବିକମାନଙ୍କୁ ଦିଏ ଦିଗ ଠାର ।

 

ବୋଲରାଗଡ଼ରୁ ଓଡ଼ିଶା ନାବିକ

ବିଦେଶ ବ୍ୟାପାର ସମ୍ପଦ ଅନେକ ।

ଧନ ଆଣୁଥିଲେ ଓଡ଼ିଶା ଭୁବନେ

ଇତିହାସ ପୃଷ୍ଠା ଏ କଥା ବଖାଣେ ।

 

କୋଣାର୍କ ବା ଅର୍କତୀର୍ଥର ମହତ୍ଵ

ଇତିହାସେ କୋଣାରକ ଅଟେ ଅର୍କକ୍ଷେତ୍ର

ସପ୍ତଶ୍ଚର୍ଯ୍ୟ କୀର୍ତ୍ତି ମଧ୍ୟ ଏହି ନାମ ଖ୍ୟାତ ।

ବ୍ରହ୍ମ ପୁରାଣରେ କୋଣାଦିତ୍ୟ ଥିଲା ନାମ

ଶିବ, ସ୍କନ୍ଧ ପୁରାଣରେ ସୂର୍ଯ୍ୟଙ୍କର ଧାମ ।

 

ପଦ୍ମ, ପ୍ରାଚୀ ପୁରାଣରେ ଅର୍କକ୍ଷେତ୍ର ଜାଣ

ଭବିଷ୍ୟ ପୁରାଣେ ତାହା ଥିଲା ମିତ୍ର ବନ ।

ମୈତ୍ର୍ୟୟ ବନର ନାମେ ଖ୍ୟାତ ଥିଲା ଏହା

କପିଳ ପୁରାଣେ ବର୍ଣ୍ଣିତ ଟି ଅଛି ଯାହା ।

 

ପବିତ୍ର ପୁଣ୍ୟର କ୍ଷେତ୍ର ଅଟେ କୋଣାରକ

ଥିଲା ତପସ୍ୟାର ସ୍ଥଳ ମୈତ୍ର୍ୟୟ ମୁନିଙ୍କ ।

ଉତ୍କଳ ଭୁବନେ ଅଛି ପାଞ୍ଚ ପୁଣ୍ୟ ତୀର୍ଥ

ମହାବିନାୟକ, ପୁରୀ, ବିଷ୍ଣୁ ପୀଠ ସ୍ଥିତ ।

 

ଭୁବନେଶ୍ୱରରେ ଶୈବ ପୀଠ ଅଛି ଜାଣ

ଶକ୍ତି ପୀଠ ଯାଜପୁରେ କହଇ ପୁରାଣ ।

ପଞ୍ଚମ ତୀର୍ଥଟି ସୂର୍ଯ୍ୟ ପୀଠ କୋଣାରକେ

ପ୍ରାଚୀନ କାଳୁ ଏ ତଥ୍ୟ ଜାଣିଛନ୍ତି ଲୋକେ ।

 

କୋଣାରକେ ଅର୍କତୀର୍ଥ ଅଟେ ବିଦ୍ୟମାନ

ଏ ନାମ ଜଗତେ ଖ୍ୟାତ ତୀର୍ଥ ଶ୍ରେଷ୍ଠ ଜାଣ ।

ଶ୍ରଦ୍ଧାରେ ପ୍ରାତଃ କାଳରେ ଯେ କରେ ସ୍ନାହାନ

କ୍ଷୟ ହିଏ ସର୍ବ ପାପ ଲଭେ ସ୍ୱର୍ଗ ଧାମ ।

 

ହୃଦୟେ ବହିଣ ଶ୍ରଦ୍ଧା ଭକ୍ତି ପ୍ରେମ ଭାବ

ସୂର୍ଯ୍ୟ କୃପା ମିଳେ ସର୍ବ ହୁଅଇ ସମ୍ଭବ ।

ଏ ବାଣୀ ବଖାଣେ ଶାସ୍ତ୍ର ପୁରାଣଙ୍କ ସାର

ମୃତ୍ୟୁ ଜୀବ ଯାଏ ଚଳି ସୂର୍ଯ୍ୟ ଦେବ ପୁର ।

 

ମାଘ ମାସ ଶୁଳ୍କ ପକ୍ଷ ସପ୍ତମୀ ତିଥିରେ

ଅର୍କତୀର୍ଥେ ପ୍ରାତଃକାଳେ ସ୍ନାନ କଲେ ନରେ ।

ପାଆନ୍ତି ମୁକତି ଭବେ ମାନବ ଜନ୍ମରୁ

କୋଟି ପୁଣ୍ୟ ଅର୍ଜେ ସିନା ବ୍ରାହ୍ମ ଭୋଜନରୁ ।

 

ଦେହରୁ ସକଳ ବ୍ୟାଧି ହୁଅଇଟି ଦୂର

କୁଷ୍ଠ ରୋଗୁଁ ମୁକ୍ତ ହୁଏ ଏ ସ୍ଥାନରୁ ନର ।

ଅପୁତ୍ରୀ ରମଣୀ କଲେ ମାଘ ସ୍ନାନ ଏଠି

ପ୍ରାପତ ହୁଅଇ ସେହି ପୁତ୍ର ଓ ସମ୍ପତ୍ତି ।

 

ବ୍ରହ୍ମ ହତ୍ୟା, ଗାଭୀ ହତ୍ୟା ପାପୁଁ ହିଏ ଦୂର

ମୁକତି ଲଭନ୍ତି ନର ସପ୍ତମୀ ସ୍ନାନର ।

ପ୍ରାଚୀ ମହାତ୍ମ୍ୟରେ ଅଛି ଏ କଥା ବର୍ଣ୍ଣିତ

କଲେ ହତାଦର ନରେ ପତ୍ନୀଙ୍କୁ ବହୁତ ।

 

ପତ୍ନୀ ଛାୟାଦେବୀ ମନେ ଦୁଃଖ ହୃଦେ ବହି

କାଳ କଟାଇଲେ ସେହୁ ପିତା ଘରେ ରହି ।

ବାରବୁଲା ପରି ଯହି ପ୍ରଭୁ ସୂର୍ଯ୍ୟଦେବ

ଭ୍ରମିଲେ ନଗର ପୁର ରହି ନାନା ଠାବ ।

 

ହତାଶ ପରାଣେ ଋଷି ଉପଦେଶ ପାଇ

ପ୍ରାଚୀ ସଙ୍ଗମରେ ମିଳି ସ୍ନାନ କଲେ ଯାଇ ।

ଏହାପରେ ମନୋବାଞ୍ଛା ହୋଇଲା ପୂରଣ

ଛାୟାଦେବୀଙ୍କର ସିଏ ପାଇଲେ ଦର୍ଶନ ।

 

ଶୁଣ ଜ୍ଞାନୀ ନର ଏହି ମୈତ୍ର ବନ କଥା

ଏ ସ୍ଥାନରେ ବାସ କଲେ ହରେ ମନୁ ବ୍ୟଥା ।

ପୁଣ୍ୟ ପ୍ରାପ୍ତ କରି ନର ପାଏ ଜ୍ୟୋର୍ତିଧାମ

ମୃତ୍ୟୁ ପରେ ଯାଏ ରବିଙ୍କର ପୁଣ୍ୟ ଧାମ ।

 

ଭାସ୍କରଙ୍କ ପୁଜାର୍ଚ୍ଚନା ଲଭେ ଯେଉଁ ନର

ପୁଣ୍ୟ ପ୍ରଭାବେ ଆନନ୍ଦ ପାଏ ନିରନ୍ତର ।

ସୂର୍ଯ୍ୟ ଗଙ୍ଗା ନାମେ ଅର୍କ ତୀର୍ଥ ଅଟେ ଖ୍ୟାତ

ସ୍ନାନ କଲେ ପୁଣ୍ୟଫଳ ହୁଅଇ ପ୍ରାପତ ।

 

ଚନ୍ଦ୍ରଭାଗା ତୀର୍ଥ ଜଳେ କଲେକ ସ୍ନାହାନ

ଚନ୍ଦ୍ର ପରି ଦିବ୍ୟକାନ୍ତି ଲଭେ ସେହି ଜନ ।

ସୂର୍ଯ୍ୟଦେବ ବଟ ବୃକ୍ଷ ରୂପେ ବିରାଜିତ

ବୃକ୍ଷ ଛାୟା ତଳେ ପାଠ କଲେ ସୂର୍ଯ୍ୟ ମନ୍ତ୍ର ।

 

ତିନିପକ୍ଷ ପରିଯନ୍ତ ଧ୍ୟାନ, ତପ କଲେ

ହୁଅଇ ଅଭିଷ୍ଟ ସିଦ୍ଧି ନିଜ ପୁଣ୍ୟ ଫଳେ ।

ଚନ୍ଦନ ବୃକ୍ଷ ନାମରେ ବଟ ପରିଚିତ

ଧ୍ୟାନ କଲେ ବିଷ୍ଣୁଦେବ ହୋଇଥାନ୍ତି ତୁଷ୍ଟ ।

 

ମାଘମାସ ରବିବାର ସପ୍ତମୀ ତିଥିରେ

ବିଜୟୀ ହୁଅନ୍ତି ନର ପୂଜି ଦିବାକରେ ।

ଲକ୍ଷ୍ମୀ ପୁରାଣରେ ଏହା ହୋଇଛି ବର୍ଣ୍ଣିତ

ଏହି ସ୍ଥାନେ ବଳରାମ ପ୍ରଭୁ ଜଗନ୍ନାଥ ।

 

ଅବସ୍ଥାନ କରିଥିଲେ ଲକ୍ଷ୍ମୀପୁରେ ରହି

ଅନ୍ନ ଭକ୍ଷି ଥିଲେ ନିଜ ଚକାକୁ ପକାଇ ।

ଚକାଖିଆ ସ୍ଥାନ ନାମ ହୋଇଅଛି ଖ୍ୟାତ

ଲିଆଖିଆ ଠାରେ ଲିଆ ପ୍ରଭୁ ଜଗନ୍ନାଥ ।

 

ଭାଇ ବଳରାମ ସାଥେ ବ୍ରାହ୍ମଣ ହସ୍ତରୁ

ଖାଇଥିଲେ ମହାସୁଖେ ଉଦର ଜ୍ୱାଳାରୁ ।

କିନ୍ତୁ ଲକ୍ଷ୍ମୀ ମାୟା ବଳେ ଲିଆ ଗଲା ଉଡ଼ି

କ୍ଷୁଧାତୁର ବେନି ଭାଇ ଛାଡ଼ିଥିଲେ ରଡ଼ି ।

 

ବୌଦ୍ଧଧର୍ମ କେନ୍ଦ୍ରସ୍ଥଳୀ ଥିଲା ଏହି ସ୍ଥାନ

ଶୈବ, ବିଷ୍ଣୁ, ଶାକ୍ତ ପୀଠ ଥିଲା ବିଦ୍ୟମାନ ।

ପ୍ରାଚୀ ତଟ ପରେ ସଦା ଲାଗିଥିଲା ଲୀଳା

ସର୍ବ ଦେବଙ୍କର ପୂର୍ବେ ସୂର୍ଯ୍ୟ ପୂଜା ଥିଲା ।

 

ପୂଜା କରାଯାଉଥିଲା ବିଧି ପୂର୍ବେ ଜାଣ

ଏ କଥା ବଖାଣେ ଶାସ୍ତ୍ର, ଲୋକକଥା ପୁଣ ।

ଏହି କ୍ଷେତ୍ରରେ ବିସ୍ତୃତି ଥିଲା ଦୀର୍ଘତର

ପୂର୍ବରେ ସାଗର କୁଶଭଦ୍ରା ଦକ୍ଷିଣର ।

 

ଚିତ୍ରୋତ୍ପଳା ତଟିନୀଟି ଉତ୍ତରରେ ଥିଲା

ପଶ୍ଚିମ ନଦୀର ନାମ ପଥର ବୁହା ଥିଲା ।

ଆଇନ୍‌-ଇ-ଆକବରୀ ବର୍ଣ୍ଣନ ସୁନ୍ଦର

ମନ୍ଦିର ବେଢ଼ାରେ ଥିଲା ବାଇଶ ମନ୍ଦିର ।

 

ମନ୍ଦିର ବେଢ଼ା ବାହାରେ ମନ୍ଦିର ତ ନାହିଁ

କାଳ କରାଳରେ ଯାଇଅଛି ଧ୍ଵଂସ ହୋଇ ।

ଅଷ୍ଟଚଣ୍ଡୀଙ୍କ ପ୍ରତିଷ୍ଠା କୋଣାରକେ ଥିଲା

କ୍ଷେତ୍ର ରକ୍ଷୟତ୍ରୀ ନାମେ ସୁଖ୍ୟାତି ବଢ଼ିଲା ।

 

ଅଷ୍ଟଦେବୀଙ୍କ ମଧ୍ୟରେ ରାମଚଣ୍ଡୀ ଶ୍ରେଷ୍ଠ

ସାଗର ତଟେ ବିରାଜି ହରୁଛନ୍ତି କଷ୍ଟ ।

ଯେଣୁ ରାମଚନ୍ଦ୍ର ଆସି ଥାପିଲେ ଚଣ୍ଡୀଙ୍କୁ ।

ରାମଚଣ୍ଡୀ ନାମେ ରକ୍ଷା କରନ୍ତି ଧାମକୁ ।

 

କଳାପାହାଡ଼ ଏ ଧାମେ ଆସିଥିଲା ଧାଇଁ

ଦେବୀଙ୍କ ମୁର୍ତ୍ତି ମନ୍ଦିର ଭାଙ୍ଗିବାର ପାଇଁ ।

ମାଲୁଣୀ ବେଶରେ ଦେବୀ ଧରି ଜଳ ପାତ୍ର

ସିଂହାସନ ଛାଡ଼ି ଗଲେ ନଦୀ ଜଳ ଗାତ୍ର ।

 

ବସି ବସି ବେଳ ଯହୁଁ ଉଛୁର ହୋଇଲା

ଦେବୀଙ୍କୁ ସିଂହାସନରେ ନ ଥିବା ଦେଖିଲା ।

ଭାବିଲା ମନେ ମାଲ୍ୟାଣୀ ଦେବୀଙ୍କୁ ଲୁଚାଇ

ଜଳ ପାଇଁ ଗଲା ଆଉ ଫେରିଲା ସେ ନାହିଁ ।

 

ମାଲୁଣୀ ଯିବା ପଥରେ ଯବନ ପ୍ରବର

ଯାଇ ଖଣ୍ଡେ ଦୂର ସେଠି ନେଲାକ ଖବର ।

ଦେଖିଲା ଭାସନ୍ତି ଦେବୀ ଘଟଟିଏ ଧରି

ଲିଆଖିଆ ମୁହାଣରେ ଜଳଘଟ ଧରି ।

 

ଦେବୀଙ୍କୁ ନ ପାଇ କଳାପାହାଡ଼ ଫେରିଲା

ଦେବୀ ମୁର୍ତ୍ତିକୁ ପାମର ଭାଙ୍ଗି ନ ପାରିଲା ।

ପରବର୍ତ୍ତୀ କାଳେ ପଣ୍ଡା ପାଇ ସ୍ଵପ୍ନାଦେଶ

ନଦୀ ତଟେ ନିର୍ମିଲେ ସେ ମନ୍ଦିର ବିଶେଷ ।

 

ସ୍ଥାପିଲେ ଦେବୀଙ୍କୁ ଆଣି ନଦୀ ଗର୍ଭୁ ସେଠି

ରାମଚଣ୍ଡୀ ଠାକୁରାଣୀ ମନ୍ଦିର ଯେଉଁଠି ।

କପୋଳ କଳ୍ପିତ ଏହି କାହାଣୀ ଅଟଇ

ଇତିହାସ କିମ୍ବଦନ୍ତୀ କେଉଁଠାରେ ନାହିଁ ।

 

ତ୍ରେତୟା ଯୁଗରେ ରାମଚନ୍ଦ୍ର ମହାବୀର

ଲଙ୍କା ଯାତ୍ରେ ପହଞ୍ଚିଲେ ଅର୍କତୀର୍ଥ ପର ।

ପରେ ବିଭୀଷଣଙ୍କର ପାଇ ଉପଦେଶ

ତେଜି କୋଣାରକ ବୀର ଦକ୍ଷିଣେ ପ୍ରବେଶ ।

 

ରାମେଶ୍ଵର ଧାମ ଠାରେ ପୂଜି ମହେଶ୍ଵର

ଲଙ୍କା ଅଭିଯାନେ ରାମ ହୋଇଲେ ବାହାର ।

ନବମ ଶତାବ୍ଦୀ ବେଳେ ପୁରନ୍ଦ କେଶରୀ

ମନ୍ଦିର ପଶ୍ଚିମେ ଯାଇ ଥାପିଲେ ଈଶ୍ଵରୀ ।

 

ତେରଶ ଶତାବ୍ଦୀ କାଳେ କୋଣାର୍କୁ ଚୁଡ଼ଙ୍ଗ

ସବୁ ଦେବୀଙ୍କୁ ବନ୍ଦିଲେ ପୂଜି ବିଷ୍ଣୁ ବର୍ଗ ।

ଗୋସାଣୀ, ବିରଜା, କାଳିକା ଓ ରାମଚଣ୍ଡୀ

ସର୍ବ ମଙ୍ଗଳା, ଚର୍ଚ୍ଚିକା, ଭଗବତୀ ଚଣ୍ଡୀ ।

 

ଚିତ୍ରେଶ୍ଵରୀ, କାତ୍ୟାୟନୀ, ଖାଲୋରୀ, ରୁଦ୍ରାଣୀ

ମନ୍ଦିରୁ ଉଠାଇ ରଖିଲେ ଅନ୍ୟ ସ୍ଥାନେ ଆଣି ।

ଖାଲୋରୀ ରହିଲେ କୋଣାର୍କଠୁଁ କୋଶ ଦୂର

ଖାଲକଟା (ଗ୍ରାମ) ଅଧିଷ୍ଠାତ୍ରୀ ଦେବୀଙ୍କ ନାମର ।

 

ଏକ କୋଶ ଦୂରେ ଥାଇ ଦେବୀ ଭଗବତୀ

ଗ୍ରାମ ଅଧିଷ୍ଠାତ୍ରୀ ଦେବୀ ପୂଜିତ ହୁଅନ୍ତି ।

କୋଣାରକଠାରୁ ପାଞ୍ଚ କୋଶ ଦୂରେ ଥାଇ

ରୁଦ୍ରାଣୀ ଛନ୍ତି ସୁତନ ଗ୍ରାମ ମଧ୍ୟେ ରହି ।

 

ବିରୁହିଁ ଗ୍ରାମଟି ପାଞ୍ଚ କୋଶ ଦୂରେ ଅଛି

ଚର୍ଚ୍ଚିକା ପୂଜିତା ଏହି ସ୍ଥାନରେ ହୁଅନ୍ତି ।

ଯଦୁପୁର ପାର୍ଶ୍ଵବର୍ତ୍ତୀ ଗୋଲରା ଗଡ଼ରେ

ଚିତ୍ରେଶ୍ଵରୀ ଦେବୀ ପୁଣି ପୂଜିତା ସେଠାରେ ।

 

ମହା କାତ୍ୟାୟନୀ ଚଣ୍ଡ ଘଣ୍ଟା ନାମେ ଖ୍ୟାତ

ପୂଜିତ ହିଅନ୍ତି ପ୍ରାଚୀ କୂଳ ଗ୍ରାମେ ସ୍ଥିତ ।

ଜାଣ କୋଣାରକ ଅଟେ ଅଷ୍ଟଶମ୍ଭୁ କ୍ଷେତ୍ର

ସନ୍ଧାନ ନ ମିଳେ ଏବେ ଶିବଙ୍କର କ୍ଷେତ୍ର ।

 

କାମଦେବ, ମୁକ୍ତେଶ୍ଵର ପ୍ରଭୁ ଶୋଭନେଶ

ଚନ୍ଦ୍ରଭାଗା ନଦୀ ତଟେ ଛ’ନ୍ତି ସମାବେଶ ।

ଲୀନ ହୋଇଛନ୍ତି ସର୍ବେ ଦେଖ ଏହିଠାରେ

ପଣ୍ଡାମାନେ ରହିଛନ୍ତି ଅନେଶ୍ଵରାଠାରେ ।

 

ରାମେଶ୍ଵର ଦେବ ଥିଲେ ଚନ୍ଦ୍ରଭାଗା ତୀରେ

ଅଯୋଧ୍ୟା ନରେଶ ତାଙ୍କୁ ସେଠି ପୂଜିଥିଲେ ।

ଏ ଶିବ ବିଗ୍ରହ ପୁଣି ବାଲୁକା ରାଶିରେ

ଛପି ଯାଇଛନ୍ତି ମହା କାଳ କବଳରେ ।

 

ଯଦୁପୁର ଗ୍ରାମ ପାଶ କାଦୁଆ କୂଳରେ

ଚିତ୍ରେଶ୍ଵର ମହାଦେବ ଛନ୍ତି ସେ ଗ୍ରାମରେ ।

ପୂଜିତ ହୁଅନ୍ତି ଗ୍ରାମବାସୀଙ୍କ ମେଳରେ

ମଙ୍ଗେଶ୍ଵର ଶିବ ଥାଇ ଦକ୍ଷିଣ ପାର୍ଶ୍ଵରେ ।

 

ଇଶାନ ଈଶ୍ଵର ସନ୍ଥପୁର ଠାରେ ରହି

ଅଛନ୍ତି ତ୍ରିବେଣୀ ମାଧିପୁରେ ଭାବଗ୍ରାହୀ ।

ବାଲିଦୋକାନରେ ଥାଇ ଦକ୍ଷିଣ ଈଶ୍ଵର

ପୂଜିତ ହୁଅନ୍ତି ସେହୁ ଗ୍ରାମର ମଧ୍ୟର ।

 

କୋଣାରକ କ୍ଷେତ୍ର ପୁଣି ଅଟଇ ବିଶାଳ

ପୂର୍ବେ ମହୋଦଧି ଥାଇ ବ୍ୟାପକ ପ୍ରବାଳ ।

ଦକ୍ଷିଣରେ ବହେ ନଦୀ କୁଶଭଦ୍ରା ହିଆ

ଉରରେ ବିରାଜୁଛି କାଦୁଆ, ଲିଆଖିଆ ।

 

କୋଣାରକ, କୋଣାଦିତ୍ୟ, ରବି, ଅର୍କକ୍ଷେତ୍ର

ସୂର୍ଯ୍ୟକ୍ଷେତ୍ର ମୁକ୍ତି ମିତ୍ରବନଟି ପବିତ୍ର ।

ମୈତ୍ରେୟ ମହର୍ଷିଙ୍କର କ୍ଷେତ୍ର କୋଣାରକ

ମୈତେନ୍ଦ୍ରୀ ବନ ମଧ୍ୟରେ ଝରେ ସୂର୍ଯ୍ୟାଲୋକ ।

 

ପୁରୁଷୋତ୍ତମ ଧାମରେ ମହାବିନାୟକ

ବିଷ୍ଟ, ଶୈବ ପୀଠ (ଭୁବନେଶ୍ଵର), ଶକ୍ତି ପୀଠ କୋଣାରକ ।

ପୁରୀ ଶଙ୍ଖ ତୀର୍ଥ, ଭୁବନେଶ ଚକ୍ର କ୍ଷେତ୍ର

ଯାଜପୁର ଗଦା, କୋଣାରକ ପଦ୍ମ କ୍ଷେତ୍ର ।

 

ପଦ୍ମାକାର କ୍ଷେତ୍ର ମଧ୍ୟ ଭାଗରେ କେଶର

କେଶର ଉପରେ ସୂର୍ଯ୍ୟ ବିରାଜେ ମନ୍ଦିର ।

ଅର୍କ କୋଣରେ ଯେ କୋଣାରକ ଅବସ୍ଥିତ

ଅର୍କ ତୀର୍ଥ ନାମେ ଏହି କ୍ଷେତ୍ର ଅଟେ ଖ୍ୟାତ ।

 

ପ୍ରାଚୀ ଖଣ୍ଡକାବ୍ୟ ଚିତ୍ରୋତ୍ପଳା

ଚିତ୍ରେଶ୍ଵରୀ ପୁଣ୍ୟ ପୀଠର ଚିତ୍ରୋତ୍ପଳା ଉଦ୍ଭବ

କର୍ଦ୍ଦମାକ୍ତ ଯେଣୁ ଧାର କାଦୁଆ ନାମ ସମ୍ଭବ ।

ଏହି ତଟିନୀର ତୀରରେ ବନ ଲତା ଶୋଭନ୍ତି

ଚମ୍ପକ, ଖଦିର, ମାଳତୀ କୁଞ୍ଜ ଶୋଭା ପାଆନ୍ତି ।

 

ନାଗେଶ୍ଵର, ଧବ, ବକୁଳ, କୁରୁବକ ତମାଳ

ବିଲ୍ୱ, ପଣସ, ଆମ୍ବ ବନ, ନାରିକେଳ, ଉତ୍ପଳ ।

ବିରାଜିତ ଦୁଇ ତଟରେ ଚିତ୍ରୋତ୍ପଳା ନଦୀର

ଶୁଆ, ହଂସରାଳୀ, ମିରିଗ ଶତ ଶତ ମୟୂର ।

 

ନିରିଭୟେ ପକ୍ଷୀ, ପରାଣୀ ସଦା ରଚନ୍ତି ଗୋଳ

ଆନନ୍ଦରେ ତୃଷା ମେଣ୍ଟାନ୍ତି ପିଇ ନଦୀର ଜଳ ।

ନଦୀ ତଟେ ଶତ ଜନତା ରଚି ପର୍ଣ୍ଣ କୁଟୀର

ନିବାସନ୍ତି ତହିଁ ବ୍ରାହ୍ମଣ, ନର ଅନ୍ୟ ବର୍ଣ୍ଣର ।

 

ଅଛବ ଜାତିର ବସତି ଉଚ୍ଚ ଜାତି ପାଶର

ସେବା ବ୍ରତେ କାଳ ବିତାନ୍ତି ରହି ଉଚ୍ଚ ଜାତିର ।

ଟିତ୍ରୋତ୍ପଳା ନଦୀ ତଟରେ ଗ୍ରାମ ଶ୍ରୀ ଯଦୁପୁର

ବ୍ରାହ୍ମଣ ଶାସନ ପାଶରେ ଥିଲେ ଏକ ଚଣ୍ଡାଳ ।

 

ସୁଦର୍ଶନ ନାମ ତାଙ୍କର ଥିଲେ ଧାର୍ମିକ ପ୍ରାଣ

ଦେବ, ଦେବୀ, ବିଷ୍ଣୁ ପୂଜାରେ କାଟୁଥିଲେ ସେ ଦିନ ।

ପ୍ରାଚୀ ନଦୀ ତଟେ ବିରାଜେ ଏକ ଭବ୍ୟ ମନ୍ଦିର

ଶିବ ପାରବତୀ ମୂର୍ତ୍ତିକୁ ପୂଜନ୍ତି ନିରନ୍ତର ।

 

ବାର ମାସେ ଓଷା ବରତେ ପତି ପତ୍ନୀ ଆଗ୍ରହେ

ମନାସିଲେ ପୂତ ପରାଣ ଇଚ୍ଛି ନନ୍ଦନଟିଏ ।

କିନ୍ତୁ ପ୍ରଭୁଙ୍କର ନ ହେଲା ସୁଦୟା ତାଙ୍କ ପରେ

ନିରାଶ ହୃଦୟେ ଦମ୍ପତି ଦୁଃଖେ ଦିନ କାଟିଲେ ।

 

ଶୁଣିଲେ ମୁନିଏ ରହନ୍ତି ପ୍ରାଚୀ ନଦୀ ଆଶ୍ରମେ

ମନୋବାଞ୍ଛା ପୂର୍ଣ୍ଣ କରନ୍ତି ଯା’ନ୍ତି ଯେବଣ ଜନେ ।

ଆତୁର ପରାଣେ ବେନିଏ ଲଙ୍ଘି ବନାନୀ ବିଲ

ବହୁ କଷ୍ଟେ ଯାଇ ମିଳିଲେ ପ୍ରାଚୀ ମୁନି ମଠର ।

 

କାତରେ କରିଲେ ପ୍ରାର୍ଥନା ମୁନି ପୂତ ପୟରେ

ଧ୍ୟାନେ ଥାଇ ମୁନି ପ୍ରବର ମନ କଥା ଜାଣିଲେ ।

ଚକ୍ଷୁ ଖୋଲି ମୁନି ପୁଙ୍ଗବ ପାଶେ ଡାକିଲେ ଆସ

ପୁତ୍ର ଜନ୍ମ ତୁମ ନ ହୁଏ ପୂର୍ବ ପାପର ଦୋଷ ।

 

ଆଦେଶିଲେ ମୁନି ପ୍ରବର ଯାଅ ପରାଚୀ ତୀର

ସ୍ନାହାନ କର ହେ ଦମ୍ପତି ପ୍ରାଚୀ ମୁକ୍ତି ତୀର୍ଥର ।

ବିରାଜିତ ଅଷ୍ଟ ଶମ୍ଭୁଏ ପୁଣ୍ୟ ତଟିନୀ ତୀର

ବାରାଣାସୀ ପୁରେ ଅଛନ୍ତି ଶମ୍ଭୁ ଗୋକର୍ଣ୍ଣେଶ୍ଵର ।

 

ରହିଛନ୍ତି ମଣିକର୍ଣ୍ଣିକା ପ୍ରାଚୀ ଜଳର ଧାର

ଦକ୍ଷିଣରେ ମାଲ୍ୟ ଅରଣ୍ୟେ ବିଲେଶ୍ଵର ଠାକୁର ।

ତ୍ରିବେଣୀ ନାମରେ ବିଖ୍ୟାତ ଯହିଁ ଗୋକର୍ଣ୍ଣେଶ୍ଵର

ନିଆଳୀ ପୂରୁବ ଶାସନେ ଶିବ ଶ୍ରୀପୂର୍ଣ୍ଣେଶ୍ଵର ।

 

ବ୍ରହ୍ମାଙ୍କ ତପସ୍ୟା ଅର୍ଜନେ ଉଭା ଶ୍ରୀବ୍ରହ୍ମେଶ୍ଵର

ରୂପ, ଗୁଣ ବଳେ ବିଖ୍ୟାତ ହର ଶୋଭନେଶ୍ୱର ।

ଅର୍କ ତୀର୍ଥ ନାମେ ନିଆଳୀ ଏବେ ଜନେ ବିଦିତ

ଅନ୍ୟ ଅର୍କ ତୀର୍ଥ କୋଣାର୍କ ଚନ୍ଦ୍ରଭାଗାର ତୀର୍ଥ ।

 

ଚଉରାଶି ଗ୍ରାମ ପାଶରେ ପ୍ରଭୁ ଅମରେଶ୍ଵର

ସରଗ ଦେବଙ୍କୁ ରାବଣ ଖଟାଇଲେ ପୟର ।

ବିରାଜିତ ଅଗ୍ନିତୀର୍ଥ ପାଶରେ ରାମେଶ୍ୱରରେ

ପ୍ରଭୁ ରାମଚନ୍ଦ୍ର ସ୍ଥାପିଣ ଥିଲେ ଶମ୍ଭୁ ହସ୍ତରେ ।

 

ନୟାହାଟ ଠାରୁ ଅନତି ଦୂରେ ଶିବ ମନ୍ଦିର

ମେଳା ମହୋତ୍ସବ ହିଅଇ ବୈଶାଖେ ରାମେଶ୍ୱର ।

ପ୍ରାଚୀ ତଟିନୀର ତଟରେ ଏକ କ୍ରୋଶ ଦୂରରେ

ବିରାଜିତ ଶିବ, ପାର୍ବତୀ ସବୁ ଶିବ ମନ୍ଦିରେ ।

 

ମୁନି ଉପଦେଶେ ସୁଦରସନ ପତ୍ନୀ ସାଥୀରେ

ଚନ୍ଦ୍ରଭାଗା ସୂର୍ଯ୍ୟ ଗଙ୍ଗାରେ ବେନି ଜନ ମିଳିଲେ ।

ତୀର୍ଥ ସ୍ନାନ ସାରି ଦମ୍ପତି ଗଲେ ଦେବୀ ମନ୍ଦିର

ଦର୍ଶନ କରିଲେ ଚଣ୍ଡୀଙ୍କୁ ଦେଇ ଭକତି ଜଳ ।

 

ତତ୍‌ପରେ ବେନି ଦମ୍ପତି ଅନ୍ୟ ତୀର୍ଥ ଭ୍ରମିଲେ

ଯେତେ ତୀର୍ଥ ଥିଲା ସବୁଙ୍କୁ ପ୍ରାଚୀ ତଟିନୀ ତୀରେ ।

ମୁକ୍ତ ହସ୍ତେ ଧନ ଦରବ ଦେଲେ ତୀରଥେ ଦାନ

ପାପ କ୍ଷୟ ହେଲା ଦମ୍ପତି ଅରଜିଲେ ସେ ପୁଣ୍ୟ ।

 

ଭାଗ୍ୟେ ଗର୍ଭବତୀ ହୋଇଲେ ପତ୍ନୀ ଚଣ୍ଡାଳଙ୍କର

ଦଶମାସ ଦଶ ଦିନରେ ଜନ୍ନ ହେଲା କୁମର ।

ପୁଣ୍ୟ ଅରଜନେ ପୁତ୍ରେକ ପାଇଗଲେ ସେ ଯେଣୁ

ଜନ୍ମକାଳୁ ଦିବ୍ୟ ଗୁଣରେ ଶୋଭା ପାଇଲେ ତେଣୁ ।

 

ନୀଚ କୁଳେ ପୁତ୍ର ହୋଇ ବି ରାଜକୁମାର ପରି

ରୂପବନ୍ତ ହେଲା କୁମର ଉଚ୍ଚ ଜାତିକୁ ବଳି ।

ଅନ୍ଧାର ଘରରେ ବିଜୁଳି ପରି ଦିଶିଲା ତନୁ

ଯେ ଦେଖିଛି ଏହି କୁମର ଭୁଲି ପାରିନି ମନୁ ।

 

 

ଅଛୁଆଁ ଜାତିର କୁମର ଘର ବାହାରେ ରହି

ବିଦ୍ୟାଭ୍ୟାସ କଲା ଅପାର ଗୁରୁ ଚରଣ ଧ୍ୟାୟୀ ।

ଶାନ୍ତ, ଧୀର, ନମ୍ର ବାଳକ ନିଜ ଗୁଣ ବଳରେ

ଜିଣିଲା ଶ୍ରୀଗୁରୁ ହୃଦୟ ନିଜ ଜ୍ଞାନ ବଳରେ ।

 

ଗୁରୁ ଆଶୀର୍ବାଦେ କୁମର ସର୍ବ ଶାସ୍ତ୍ର ଜ୍ଞାନରେ

ପ୍ରଶଂସା ପାଇଲା ସବୁଠି ନିଜ ରୂପ ଗୁଣରେ ।

ସେହି ଗ୍ରାମେ ଏକ କୁମାରୀ ହରି ମିଶ୍ରଙ୍କ ଥିଲା

ଉତ୍ପଳା ନାମରେ କୁମାରୀ ଗୁରୁ ଗୃହକୁ ଗଲା ।

 

ପ୍ରଥମ ସାକ୍ଷାତେ ଉତ୍ପଳା, ଚିତ୍ର ରୂପେ ମୋହିଲା

ରୂପ, ଗୁଣ, ବିଦ୍ୟା ଦେଖୁ ତା’ ଚିତ୍ର ସାଥେ ମିଳିଲା ।

ଧୀରେ ଧୀରେ ଦୁଇ ପ୍ରାଣଙ୍କ ହେଲା ପ୍ରେମ ମିଳନ

ଉଚ୍ଚ, ନୀଚ ଜାତି ଭେଦକୁ କରି ଦୃଢ଼େ ଖଣ୍ଡନ ।

 

କୁମାରୀ ଉତ୍ପଳା ଯୌବନ ଅଙ୍ଗେ ଲାଗିଲା ଯେଣୁ

ରୂପ, ଲାବଣ୍ୟରେ ଜିଣିଲା ସ୍ଵର୍ଗ ନର୍ତ୍ତକୀ ତେଣୁ ।

ମନେ ମନେ ଭାବି ଚିତ୍ରକୁ ନିଜ ପ୍ରାଣ ଦେବତା

ଶିବ, ପାର୍ବତୀଙ୍କୁ ପୂଜିଲା କହି ହୃଦୟ ବ୍ୟଥା ।

 

ବିବାହ ଦେବାକୁ କନ୍ୟାରେ ପିତା, ମାତା ଭ୍ରମିଲେ

ଚିତ୍ରୋତ୍ପଳା ନଦୀ ତୀରର ନାନା ଗ୍ରାମକୁ ଗଲେ ।

କେତେ ଦ୍ଵିଜ ପୁତ୍ର ପ୍ରସ୍ତାବ ଘରେ ତାଙ୍କ ଆସିଲା

ଉତ୍ପଳା ସୁନ୍ଦରୀ ଏଥର ମାତା ପାଶେ ମିଳିଲା ।

 

ଝରାଇ ନୟନୁ ଲୋତକ ବର୍ଷା ଶ୍ରାବଣ ପରି

ମନକଥା ଖୋଲି କହିଲା ମାତା ପଣତ ଧରି ।

ଭଲ ପାଏ ବୋଲି ଚିତ୍ରକୁ ମାତା ପାଶେ କହିଲା ।

ଅନ୍ୟ ପ୍ରସ୍ତାବରେ ବିମୁଖ ହୋଇ ଘରେ କାନ୍ଦିଲା ।

 

ଏ କଥା ଗୋଚର ହୋଇଲା ହରି ମିଶ୍ର ଆପଣେ

ଅସମ୍ଭବ ବୋଲି କହିଲେ ଦୃଢ଼େ ପତ୍ନୀଙ୍କୁ ଦିନେ ।

ବ୍ରାହ୍ମଣ କନ୍ୟାର ବିବାହ ଚିତ୍ର ଚଣ୍ଡାଳ ସାଥେ

କରାଇ ନ ଦେବେ କହିଲେ ଦୃଢ଼େ ସେ କଦାଚିତେ ।

 

ଦୁଃଖ ସାଗରରେ ଡୁବିଲା ଉତ୍ପଳାର ଶରୀର

ଘର କୋଣେ ବେଳ କାଟିଲା ଚକ୍ଷୁ ଝରାଇ ନୀର ।

ବିରହ ବେଦନା ଉତ୍ପଳା ତନୁ କରିଲା କ୍ଷୀଣ

ହାଣ୍ଡି ନଷ୍ଟ ଯେହ୍ନେ ହୁଅଇ ତାକୁ ଖାଇଲେ ଲୁଣ ।

 

ମଳିନ ହୋଇଲା ତନୁଟି କନ୍ୟା ଚମ୍ପକ ଗୋରୀ

ମଣିଷ ହୁଅଇ ଅଛୁଆଁ ହୃଦେ ନ ଥିଲା ଭାଳି ।

ସତ୍‌କର୍ମ ବଳେ ଚଣ୍ଡାଳ ଦିନେ ହୁଏ ବ୍ରାହ୍ମଣ

ସେ ନର ଅଟଇ ବ୍ରାହ୍ମଣ ଚିହ୍ନେ ଯେ ଅନ୍ୟ ପ୍ରାଣ ।

 

କର୍ମ, ଧର୍ମ, ତପ, ତ୍ୟାଗରେ ନର ହୁଏ ମହାନ

ନୀଚ କର୍ମ କଲେ ବ୍ରାହ୍ମଣ ହୁଏ ଚଣ୍ଡାଳ ସମ ।

ବ୍ରହ୍ମାଣ୍ଡ କରତା ଯେ କାଳେ ବିଶ୍ଵେ ରଚିଲେ ସୃଷ୍ଟି

ଏକ ମନ ପ୍ରାଣ ରକତ ଦେଲେ ସବୁ ଜୀବେଟି ।

 

ବୁଦ୍ଧି ଭ୍ରଷ୍ଟ ଏହି ମାନବ କଲା ଜାତି ଭିଆଣ

ଏକ ମାଟି, ଜଳ, ପବନେ ନର ହୋଇଲେ ଭିନ୍ନ ।

ପ୍ରଭୁ ଜଗନ୍ନାଥ ପାଶରେ ସବୁ ଜନ ସମାନ

ଦାସିଆ ବାଉରି ଶ୍ରୀଫଳ କଲେ ଶୂନ୍ୟେ ଭକ୍ଷଣ ।

 

ଶ୍ରୀୟା ଚଣ୍ଡାଳୁଣୀ ଗୃହରେ ଲକ୍ଷ୍ମୀ ଗୁରୁବାରରେ

ବିଜେ କରି ପୂଜା ପାଇଲେ ଦେବୀ ଶ୍ରୀୟା ଶ୍ରୀକରେ ।

ଅମାବାସ୍ୟା ଘୋର ଅନ୍ଧାରେ ନିଶା ଗର୍ଜନ କାଳେ

ଉତ୍ପଳା ତେଜିଲା ସ୍ଵଗୃହ ଚିତ୍ର ସନ୍ଧାନ ଭୋଳେ ।

 

ବାରୁଣୀ ସ୍ନାହାନ ସାରିଣ ହରି ମିଶ୍ର ଆପଣେ

ଦେଖିଲେ ନନ୍ଦିନୀ ନାହାନ୍ତି ନର ନାରୀ ଗହଣେ ।

ରାତି ପାହି ହେଲା ସକାଳ ଚାରି ଦିଗ ଉଜ୍ଜ୍ୱଳ

ତଥାପି ଉତ୍ପଳା ନାହାନ୍ତି କେଣେ ହେଲେ ଅନ୍ତର ।

 

ଅଲିଅଳୀ କୁଳ ନନ୍ଦିନୀ ଅନ୍ତର୍ଦ୍ଧାନ ବାରତା

ଶୁଣିଲେ ଦମ୍ପତି କ୍ରନ୍ଦନ ଚାରିଦିଗ ଦେବତା ।

ନଦୀ ଆରପାରେ ଦେଖନ୍ତେ ଦିଶେ ଉତ୍ପଳା ମୁଖ

ବ୍ରାହ୍ମ ଦମ୍ପତିଙ୍କ ହୃଦୟେ ଏବେ ବଢ଼ିଲା ଦୁଃଖ ।

 

ନଦୀ ପାର ହୋଇ ବ୍ରାହ୍ମଣ ଗଲେ ଉତ୍ପଳା ପାଶ

ବାଲିପନ୍ତା ପରେ ଶୋଇଛି କନ୍ୟା ହୋଇ ବେହୋସ ।

ପାଶରେ ଚିତ୍ରକ ବସିଛି ଧୀରେ ମନ ବିରସେ

ଗାଳିଦେଲେ ମିଶ୍ରେ ଚିତ୍ରକୁ ଅତି ବିଭତ୍ସ ଭାଷେ ।

 

କହିଲେ ବାମନ ପରି ତୁ ହାତ ବଢ଼ାଇ ସ୍ଵର୍ଗେ

ଜାଣିନୁ ମୋ କନ୍ୟା ଜନମି ଅଛି ବ୍ରାହ୍ମଣ ବର୍ଗେ ।

କହିଣ ବିନୟ ବଚନ ଭଦ୍ର ଚିତ୍ରକ ବୀର

ମୋତେ ଗାଳିମନ୍ଦ ଦେବାର ଏବେ ନୁହଇଁ ବେଳ ।

 

ସତେଜ କରାଅ ନନ୍ଦିନୀ ତୁମ ପ୍ରଥମ କାମ

ପ୍ରାଚୀ ପୂତ ଜଳ ସିଞ୍ଚନେ ବାଳା ଲଭୁ ଚେତନ ।

ପାଶେ ଦେଖି ଚିତ୍ର ଉତ୍ପଳା ଦମ୍ଭ ଧରି ପରାଣ

ସବିନୟେ ବାଳା କହଇ ଚିତ୍ର ମୋ ସାଥୀ ରାଣ ।

 

ତା’ ବିନା ଜୀବନ ହରାଇ ଦେବି କହୁଛି ପିତା

ଗାଳି ଗୁଲଜରେ କିମ୍ପାଇ ଦିଅ ତା’ ହୃଦେ ବ୍ୟଥା ।

ନଦୀ ସ୍ରୋତେ ଭାସି ଆସିଲି ବଳେ ଚିତ୍ରର ପାଶ

ଅଛି ଚିତ୍ର ମୋର ପାଶରେ ତିଳେ ନାହିଁ ତା’ ଦୋଷ ।

 

ଶୁଣି ଉତ୍ପଳାର ବାରତା ହରି ମିଶ୍ର ବ୍ରାହ୍ମଣ

ମମତା, ମଧୁର ସ୍ଵରରେ କଲେ ପ୍ରଶଂସା ଗାନ ।

ନୀଚ କୁଳେ ହୋଇ ଜନମ ଚିତ୍ର ସାହସୀ ବୀର

ଉତ୍ପଳାର ପ୍ରାଣ ରକ୍ଷଣେ ବଡ଼ ସାହସ ତା’ର ।

 

ନିନ୍ଦା ଅପବାଦ ନାଗରା ବାଜେ ଶାସନ ସାରା

ବ୍ରାହ୍ମଣ କୁମାରୀ ଉତ୍ପଳା ଚଣ୍ଡାଳକୁ ବରିଲା ।

ଧିକ୍କାର କରିଲେ ହରିଙ୍କୁ ମିଳି ବ୍ରାହ୍ମଣ ଗଣ

ଉତ୍ପଳା ନନ୍ଦିନୀ ତୁମର କଲା ନୀଚ୍ଚ କରମ ।

 

ଧିକ୍କାର ଶୁଣିଣ ଅଇଲେ ହରି ମିଶ୍ର ଆପଣେ

ରଜ୍ଜୁରେ ବାନ୍ଧିଲେ ଉତ୍ପଳା ଅତି ଉତ୍‌କ୍ଷିପ୍ର ପ୍ରାଣେ ।

କିଛି କାଳ ଅନ୍ତେ ଉତ୍ପଳା ସାଥେ ବିଦ୍ୟାଧରରେ

ନିର୍ବନ୍ଧ ହୋଇଲା ବିବାହ ପାଇଁ ପୁଣ୍ୟ ତିଥିରେ ।

 

ଅକାଳ ମରଣ ହୋଇଲା ବିଦ୍ୟାଧର ବିପ୍ରର

ଉତ୍ପଳା ସୁଯୋଗ ପାଇଲେ ଗଲେ ପ୍ରାଚୀର ତୀର ।

ଅନ୍ଧକାର ରାତ୍ର କାଳରେ ମିଳି ଚିତ୍ରକୁଟୀର

ଶୂନ୍ୟ କୁଟୀରକୁ ଦେଖିଲେ ନାହିଁ ଚିତ୍ର ସେଠାର ।

 

ଜୀବନ ହାରିବା ପାଇଁ କି ଚିତ୍ରା କରଇ ପଣ

ଉଦ୍ୟତ ହୋଇଲେ ପରାଚୀ ଜଳେ ଦେବେ ପରାଣ ।

ସେକାଳେ ଶୂନ୍ୟରୁ ଶୁଣିଲେ ଚିତ୍ରା ଶବ୍ଦ ଗମ୍ଭୀର

ପାପ କର୍ମ ତୁହି କରନା ଚିତ୍ରା ଦୁଃଖ ବିଭୋର ।

 

ମନୋରଥ ପୂର୍ଣ୍ଣ ହୋଇବ ପୂଜ ଅମରେଶ୍ଵର

ବାରବର୍ଷ କାଳ ଉତ୍ପଳା ରହି ପରାଚୀ ତୀର ।

ଧ୍ୟାନ, ତପସ୍ୟାରେ ମଜ୍ଜିଲେ ଟିତ୍ରା ହୋଇ ତତ୍ପର

ମନୋବାଧଞ୍ଛା ପୂର୍ଣ୍ଣ ହେବାକୁ ମନ କରିଣ ସ୍ଥିର ।

 

ଶୁଣିଲେ ଅଦୂରେ ଅଛଇ ଏକ ମୁନି ଆଶ୍ରମ

ଦର୍ଶନ ଆଶାରେ ଚିତ୍ରା ଯେ ଚଳିଲେ ସେହି ସ୍ଥାନ ।

ମୁନିଏଁ ଉତ୍ପଳା ନାମରେ କଲେ ଦୂରୁ ଭାଷଣ

ସନ୍ଦେହ ତୁଟିଲା ମନରୁ ବାଳା ଉଷତ ପ୍ରାଣ ।

 

ଚିତ୍ର-ଉତ୍ପଳାଙ୍କ ମିଳନ ହେଲା ପରାଚୀ ତୀରେ

ମିଳିତ ହୋଇଲା ନୟନ ଏକ ଶୁଭ ବେଳାରେ ।

ପୁଷ୍ପ ବୃଷ୍ଟି ହେଲା ସରଗୁଁ ବେନି ଜନ ମଥାରେ

ଜୟ ଜୟ ଶବ୍ଦ ଶୁଭିଲା ପ୍ରାଚୀ ଆଶ୍ରମ କୋଳେ ।

 

ଆଶ୍ରମେ କାଟିଲେ ଦିବସ ପତି, ପତ୍ନୀ ରୂପରେ

ହୃଦୟୁ ନିଗାଡ଼ି ଆଶିଷ, ସ୍ନେହ ବେନି ଜନରେ ।

ପୁରାଇଲେ ମନୋ କାମନା ଚିତ୍ର ପୁଣ୍ୟ ବଳରୁ

ଜନେକ ଆସିଲେ ଆଶ୍ରମ ଲକ୍ଷ ଯୋଜନ ଦୂରୁ ।

 

ବାରବର୍ଷ କାଳ ରହିଣ ଚିତ୍ରା, ଉତ୍ପଳା ମିଳି

ପୂଜା, ଅରଚନା, ଯଜ୍ଞରେ ଦେଲେ ପରାଣ ଢାଳି ।

ଏକ ରାତ୍ରେ କନ୍ୟା ଉତ୍ପଳା ମାତା ପିତା ସ୍ମରିଲା

କିପରି ଅଛନ୍ତି ଦମ୍ପତି ମନେ ମନେ ଚିନ୍ତିଲା ।

 

ନୟନୁ ଝରାଇ ଲୋତକ ପିତା, ମାତା କଷଣ

ଦୂରେଇ ନ ପାରି ନିଜର ଦୁଃଖେ ଭରିଲା ମନ ।

ରାତି ପାହି ହେଲା ସକାଳ ଚାରି ଦିଗ ଉଜ୍ଜ୍ଵଳ

ଦେଖିଲା ନୟନେ ଦମ୍ପତି ବୃଦ୍ଧ କେଶ ଧବଳ ।

 

ଶୁଣିଲା କଥୋପ କଥନ ବେନି ଦମ୍ପତିଙ୍କର

ଦେଖି ନ ପାରିଲେ ଉତ୍ପଳା ପାଶୁ ହେଲା ଅନ୍ତର ।

ଜୀବନ ଥାଇ ବି ବେନିଙ୍କ କିମ୍ପା ଯମ ଦେବତା

ନେଉ ନାହାନ୍ତି ତ ପାଶରେ ଏହି ଜୀବନ ବୃଥା ।

 

ଶୁଣି ବେନି ଜନ ବାରତା ଏବେ ଚିତ୍ରା ନନ୍ଦିନୀ

ଜାଣିଲା ଆପଣା ଜନକ ଜନ୍ମ କଲା ଜନନୀ ।

ଧାଇଁଯାଇ ବୃଦ୍ଧ ବୃଦ୍ଧାଙ୍କ ପାଶେ ବେଗେ ମିଳିଲା

ପଦ ସ୍ପର୍ଶ କରି ବେନିଙ୍କ କନ୍ୟା ବୋଲି କହିଲା ।

 

ହରି ମିଶ୍ର ବୃଦ୍ଧ ବ୍ରାହ୍ମଣ ଜାଣି ଉତ୍ପଳା ସ୍ଵର

ଜାଣିଲେ ହଜିଲା କନିଆ ଉଭା ତାଙ୍କ ପାଶର ।

ଛାଡ଼ି ଜାତିଭେଦ ଭାବନା ଛୋଟ ବଡ଼ର ଭାବ

କୋଳାଗ୍ରତ କଲେ କନିଆ ତେଜି ବିକାର ଭାବ ।

 

ତପ ବଳେ ଚିତ୍ର ଚଣ୍ଡାଳ ଋଷି ଶ୍ରେଷ୍ଠ ହୋଇଛି

ଲକ୍ଷ ଜନତାଙ୍କ ଗହଣେ ଏବେ ପୂଜା ପାଉଛି ।

ଏ କଥା ଜାଣିଲେ ବ୍ରାହ୍ମଣ ସର୍ବ ଶାସନ ଜନ

ମିଳି ଋଷି ପଦ ସେବିଲେ ଧରି ହରିଙ୍କ ନାମ ।

 

ଭ୍ରାନ୍ତ ଭାବ ଦୂର ହୋଇଲା ମୂଢ଼ ବ୍ରାହ୍ମଣଙ୍କର

ସ୍ରଷ୍ଟାଙ୍କ ପାଶରେ ସମାନ ସାରା ଜଗତ ନର ।

ଦୁଇ ପ୍ରାଣ ଦୁଇ ଦେହର ସିନା ହେଲା ମିଳନ

ବାର୍ଦ୍ଧକ୍ୟ ସମୟ ପର୍ଯ୍ୟନ୍ତେ ନ ଜନ୍ମିଲା ସନ୍ତାନ ।

 

ନ ଥିଲା ପରାଣେ ବେଦନା ପ୍ରାଣ ସନ୍ତାନହୀନ

କାଟୁଥିଲେ ସୁଖେ ପରାଣ ରହି ଶିଷ୍ୟଙ୍କ ଗଣ ।

ଛାଡ଼ି ଏ ସଂସାର ମୋହରୁ ତେଜି ମାୟା ବନ୍ଧନ

ରଖିଲେ ହରିଙ୍କ ପୟରେ ତାଙ୍କୁ କଲେ ମନନ ।

 

ରଚିଲେ ଯୁଗଳ କୁଟୀର ନଦୀ ବେନୀ ତୀରରେ

ଜପେ, ତପେ ବେଳ କାଟିଲେ ଚିତ୍ରୋତ୍ପଳା କୂଳରେ ।

ମୁଖରେ ବିରାଜୁ ଥିଲା ତା’ ହାସ ପୂର୍ଣ୍ଣ ଚନ୍ଦ୍ରମା

ସଂସାର ବିଷାଦ ନ ଥିଲା ତପୀ ଜନ ଉତ୍ତମା ।

 

ଆସି ପହଞ୍ଚୁଲା ଧରାରେ ମାଘ ସ୍ନାହାନ ବେଳ

ପ୍ରବେଶ ହୋଇଲା ତ୍ରିବେଣୀ ଅମାବାସ୍ୟାର କାଳ ।

ନଦୀ ଜଳେ ସ୍ନାନ ସାରିଣ ଚିତ୍ରୋତ୍ପଳା କୂଳରେ

ବସିଲେ ଆଶ୍ରମେ ସଧୀରେ ରହି ଶିଷ୍ୟଙ୍କ ମେଳେ ।

 

ରାତିର ଅନ୍ତିମ ପ୍ରହରେ ତାଙ୍କ ଛାଡ଼ିଲା ପ୍ରାଣ

ଲୋତକ ନୟନେ ମିଳିଲେ ପାଶେ ଶିଷ୍ୟ ବହନ ।

ତଡ଼ିତ୍‌ବେଗରେ ଖବର ଗଲା ପୁରପଲ୍ଲୀରେ

ହାତରେ ଚନ୍ଦନ, କର୍ପୂର ଘୃତ ଧରି ଗମିଲେ ।

 

ଥାପି ଜୁଇ କାଠେ ତପିନୀ ଚିତ୍ରୋତ୍ପଳା ସୁନ୍ଦରୀ

ଅଗ୍ନିଦେବ ଅଙ୍ଗେ ଥାପିଲେ ଶିଷ୍ୟ ନର ଓ ନାରୀ ।

ହରିବୋଲ ହୁଳହୁଳିରେ କମ୍ପିଉଠିଲା ଧରା

ମନ୍ତ୍ରପାଠ, ବେଦ ଶବଦେ ଜଳି ଗଲେ ଉତ୍ପଳା ।

 

ଫୁଲ, ଦୀପ, ଅର୍ଘ୍ୟ, ଚନ୍ଦନ ମାଳା ଅରପି ସୁଖେ

ଜନଗଣ ଫେରି ଚାଲିଲେ ନିଜ ନିବାସ ମୁଖେ ।

ଅନ୍ୟ ତୀରେ ଏହି ସମୟେ ଚିତ୍ର ମହାପ୍ରୟାଣ

ସେ ସ୍ଥଳେ ମିଳିଲେ ଦୁଃଖରେ ଶିଷ୍ୟ, ଶିଷ୍ୟା ବହନ ।

 

ଦୁଇ ତୀରେ ଦାହ ଅନଳ ଶିଖା ହେଲା ପ୍ରବଳ

ଦେବତା ବର୍ଷିଲେ ସରଗୁଁ ପୁଷ୍ପ ବାରିଧି ଜଳ ।

ଅଗ୍ନେ ତୋଳି ଚିତାଭସ୍କରୁ କୁଳ ନର ଓ ନାରୀ

ମନଦୁଃଖେ ବେଗେ ଫେରିଲେ ଗୃହେ ହାଉଳି ଛାଡ଼ି ।

 

ମୁକତି ଲଭିଲା ଅମର ପ୍ରାଣ ଚିତ୍ରୋତ୍ପଳାର

ଚିତ୍ର ମୁନି ମନ ସୁଖରେ ଗଲେ ସରଗ ପୁର ।

ସେ କାଳରୁ ପୁଣ୍ୟ ତଟିନୀ ଚିତ୍ରୋତ୍ପଳା ବିଖ୍ୟାତ

ଏକ ଟେବୁଲ ବିବରଣୀରେ କ୍ରମ ଅନୁଯାୟୀ ଦ୍ୱାଦଶ ଶମ୍ଭୂ ଓ ଅଷ୍ଟଶମ୍ଭୁଙ୍କର ନାମ ଓ ପୀଠର ସଂକ୍ଷିପ୍ତ ସୂଚନା

ଦ୍ୱାଦଶ ଶମ୍ବୁଙ୍କ

ଅଷ୍ଟଶମ୍ଭୁଙ୍କ

ପୀଠର ନାମ

ପୀଠଙ୍କ ମାର୍ଗ

ପ୍ରାଚୀମାହାତ୍ମ୍ୟ ଅନୁଯାୟୀ ଏଠାରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ଦେବଦେବୀ ଓ ତୀର୍ଥ

କ୍ରମ

ନାମ

କ୍ରମ

ନାମ

 

 

କପିଳେଶ୍ୱରଙ୍କ ଶମ୍ଭୂ

କପିଳେଶ୍ୱରଙ୍କ ଶମ୍ଭୂ

ଗୋବିନ୍ଦ ପାଟଣା

ଶଳେଇ ବସ୍‌ଷ୍ଟପ୍‌ଠାରୁ

କପିଳମୁନୀଙ୍କ ଆଶ୍ରମ ସାକ୍ଷୀ-ପ୍ରାଚୀ ସରସ୍ୱତୀ ନଦୀ

ଗୋକର୍ଣ୍ଣେଶ୍ୱର ଶମ୍ଭୂ

ଗୋକର୍ଣ୍ଣେଶ୍ୱର ଶମ୍ଭୂ

ଜାମୁଗୋରଡ଼ି ଗ୍ରାମ

କପିଳେଶ୍ୱରଙ୍କଠାରୁ

ମା’ ଅମ୍ବିକା ଦେବୀ

ବିଲେଶ୍ୱର ଶମ୍ଭୂ

 

 

ଭାପୁର ଗ୍ରାମ

ଗୋକର୍ଣ୍ଣେଶ୍ୱରଙ୍କ ଠାରୁ

ତ୍ରିବେଣୀ ତୀର୍ଥ, ମାତୃ ତୀର୍ଥ, ଅନ୍ତର୍ବେଦୀ, ବିଲବୃକ୍ଷ

ଶୋଭେନେଶ୍ୱର

ଶୋଭେନେଶ୍ୱର

ନିଆଳି ବଙ୍ଗାଳି ସାହି

ନିଆଳି ବଙ୍ଗାଳିସାହି ବସ୍‌ଷ୍ଟପ

ମା’ ଚନ୍ଦ୍ରଘଣ୍ଟା, ଅର୍କତୀର୍ଥ

ରାମେଶ୍ୱର ଶମ୍ଭୂ

ରାମେଶ୍ୱର ଶମ୍ଭୂ

ଟୋତା-ଗୋପୀନାଥପୁର

ଟୋତା ବସ୍‌ଷ୍ଟପ୍

ଅଗ୍ନିତୀର୍ଥ

ଅଙ୍ଗେଶ୍ୱର ଶମ୍ଭୂ

ଅଙ୍ଗେଶ୍ୱର ଶମ୍ଭୂ

ପିତାପଡ଼ା ଗ୍ରାମ

ପନିମାନ ବସ୍‌ଷ୍ଟପ୍

ପିତୃତୀର୍ଥ, ମା’ ଚର୍ଚିକା ଦେବୀ

ଅମରେଶ୍ୱର ଶମ୍ଭୂ

 

 

ଅମରଶ୍ୱେର ଗ୍ରାମ

ଅମରେଶ୍ୱର ବସ୍‌ଷ୍ଟପ୍

ଲଳିତାନଦୀ ଗୋତୀର୍ଥ, ମାତଙ୍ଗଋଷିଙ୍କ ଆଶ୍ରମ, ସାକ୍ଷୀ-ପ୍ରାଚୀମାଧବ

ଗ୍ରାମେଶ୍ୱର ଶମ୍ଭୂ

ଗ୍ରାମେଶ୍ୱର ଶମ୍ଭୂ

ନିଭରଣ ଗ୍ରାମ

ନୟାହାଟ ହାଇସ୍କୁଲ ବସ୍‌ଷ୍ଟପ୍

ମା’ ଭଦ୍ରକାଳୀ-କାତ୍ୟାୟିନୀ, ଗୁରୁବାର ତୀର୍ଥ, ମୃତ୍ୟୁତୀର୍ଥ, ସାକ୍ଷୀ-ଗଦାଧର ବିଷ୍ଣୁ

ସୋମେଶ୍ୱର ଶମ୍ଭୂ

ସୋମେଶ୍ୱର ଶମ୍ଭୂ

କାକଟପୁର ଗ୍ରାମ

ସୋମେଶ୍ୱର ବସ୍‌ଷ୍ଟପ୍

ବିଶ୍ୱମିତ୍ର ତୀର୍ଥ, ଚକ୍ରତୀର୍ଥ, ସାକ୍ଷୀ-କାଞ୍ଜନିମାଧବ

୧୦

ସିଦ୍ଧେଶ୍ୱର ଶମ୍ଭୂ

 

 

ମୁଦଦ୍‌ଗଲ ଗ୍ରାମ

 

ମୁଦ୍‌ଗଲ ଋଷି, ଅପ୍ସରା ତୀର୍ଥ, ସାକ୍ଷୀ-ମୁଦ୍‌ଗଲମାଧବ

୧୧

ନାଟ୍ୟଶ୍ୱର ଶମ୍ଭୂ

 

 

ନାଶିକେଶ୍ୱର ଗ୍ରାମ

ନାଶିକେଶ୍ୱର ଗ୍ରାମ

ସାକ୍ଷୀ-କେଶବ ବର୍ତ୍ତମାନ ଅଜ୍ଞାତ

୧୨

ମୁକ୍ତଶ୍ୱର ଶମ୍ଭୂ

ମୁକ୍ତେଶ୍ୱର ଶମ୍ଭୂ

ମୁକ୍ତଶ୍ୱର ଗ୍ରାମ

ମୁକ୍ତଶ୍ୱର ଗ୍ରାମ

ସଙ୍ଗମତୀର୍ଥ ସାକ୍ଷୀ-ଗମୁଖ କେଶବ

ବି.ଦ୍ର: ଦ୍ୱାଦଶ ଶମ୍ଭୂ ଓ ଅଷ୍ଟଶମ୍ଭୂଙ୍କର ପରିଚୟ ଓ ଏମାନଙ୍କ ଦର୍ଶନ ଯାତ୍ରାର ବିଧି ଉକ୍ତ ପୁସ୍ତକର ସଂସ୍କୃତ ପ୍ରାଚୀ ମହାତ୍ମ୍ୟ ତ୍ରୟୋଦଶ ଅଧ୍ୟାୟରେ ବର୍ଣ୍ଣିତ ହୋଇଛି

 

ପୁଣ୍ୟ ତୀର୍ଥ ଜଳ ନାମରେ ହେଲା ବିଶ୍ଵେ ବିଦିତ ।