ମଧୁ ପଦ୍ୟାବଳୀ

ବାବା ମଧୁସୂଦନ

(ପ୍ରଥମ ଭାଗ)

ସୂଚୀପତ୍ର

କ୍ର:ନଂ ପଦ୍ୟର ନାମ ପୃଷ୍ଠା

(ଅ)

ଅନନ୍ତ ଅବ୍ୟକ୍ତ ବ୍ରହ୍ମ

୨. ଅନ୍ତରେ ରହିଛ ପରା ଅନ୍ତର୍ଯ୍ୟାମୀ ଭାବଗ୍ରାହୀ

୩. ଅସଲ ଭଜନ ମନ କହୁଅଛି ଶୁଣ

୪. ଅର୍ଜ୍ଜୁନ ଜୀବକୁ କହୁଛନ୍ତି ଗୁରୁ ଶ୍ୟାମ

୫. ଅଭୟ ଚରଣ ଚିନ୍ତାକରି ମନ

୬. ଅନୁତାପାଗ୍ନରେ ପୋଡ଼ି ହୋଇଗଲେ

୭. ଅକରମେ ରହିବ ଯେବେ

୮. ଆହେ ବିଶ୍ୱପତି ଆରାଧ୍ୟ ମୂରତି

୯. ଆଉ କେତେଦିନ ଯାଏ ଏ ସଂସାରେ

୧୦. ଆଉ କିସ ଜଣାଇବି ହେ

୧୧. ଆହେ ବିପଦ ଭଞ୍ଜନ ପ୍ରଭୁ ଭଗବାନ

୧୨. ଆଛା ଲୀଳା ଲଗାଇଅଛୁ

୧୩. ଆସିବ ସେ ବେଳ ଯେଉଁଦିନ ତୋର

୧୪. ଆତ୍ମମୟ ଏ ଜଗତ

୧୫. ଆତ୍ମାଜ୍ଞାନେ ମିଳେ ଶାନ୍ତି

୧୬. ଆରେ ମନ ବାଇଆ ହାତୀ

୧୭. ଆଶା ସିନା ଦିଏ ଦୁଃଖରେ

୧୮. ଆଗୋ ସଜ ମଉଳ ମଲ୍ଲି

୧୯. ଆସୁଅଛି ଯେଉଁ ବେଳ

୨୦. ଆରେ ଜୀବ ସଦା ମୁକ୍ତିଟି ତୁହି

୨୧. ଆତ୍ମା ଯଜ୍ଞ କର ହୋଇବ ଉଦ୍ଧାର

୨୨. ଆରେ ମନ ଅନ୍ଧା

||ଖ||

(ଈ)

୨୩. ଈଶ୍ୱର ଯାହା କରନ୍ତି ଜୀବର ମଙ୍ଗଳ ପାଇଁ

(ଏ)

୨୪. ଏତିକି ମାତ୍ର ମୋର ଜଣାଣ ଶ୍ରୀଛାମୁରେ

୨୫. ଏହିକି ତୁମ୍ଭରି ଦୟା ହେ

୨୬. ଏ ସାଗ ଜଗତେ କଷ୍ଟ ଅଛି ଯେତେ

(ଓ)

୨୭. ଓଁକାର ସ୍ୱରୂପ ବ୍ରହ୍ମ ସନାତନ

(କ)

୨୮. କରିଛି ମହା ଅପ୍ରାଧ

୨୯. କହୁଛିରେ ଚେତାକର ଗୁରୁ କଥା

୩୦. କହ ଭଲା କିଏ ତୋର ଅତି ପ୍ରିୟ

୩୧. କହ ଦୟାଳୁ ଠାକୁର ହେ

୩୨. କହ ହେ ନିଷ୍ଠୁର ଠାକୁର

୩୩. କଳାବନ୍ତ ହରି କଳା ରୂପ ଧରି

୩୪. କଳାକାହ୍ନୁ ତୁହି ବଡ଼ ଚଲାକି

୩୫. କଳାକାହ୍ନୁ ତୁହି ବଡ଼ ମାଡ଼ୁଆ

୩୬. କହ ଆରେ ମନ ମୋର

୩୭. କହୁଅଛି ଭଲ କଥା ଜାଇଫୁଲ

୩୮. କହନ୍ତି ମାନସ ଦୁତୀ

୩୯. କାଳିଆ ସୁନା, କିଛି ମୋର ନାହିଁ କାମନା

୪୦. କାଳିଆ ଫୁଲ ମାଳିଆ ଆଚ୍ଛା ଲୀଳା

୪୧. କାହିଁ ପାଇଁ ରାସ ଲୀଳା

୪୨. କାହାକୁ କହିବି କିସ

||ଗ||

୪୩. କାମିନୀଟି କାଳ ନାଗୁଣୀ

୪୪. କି ଲୀଳା କରୁଛ ପ୍ରଭୁ ବସି ନିଳାଚଳରେ

୪୫. କି ହେବ ହେଲେ ବାବାଜୀ

୪୬. କିଏ ବଡ଼ କିଏ ଛୋଟ ଭାବୁରେ ମାନସ

୪୭. କୁରୁପଣ ବସି ସଞ୍ଚୁଥା ଧନରେ

୪୮. କୃଷ୍ଣ କୃଷ୍ଣ କୃଷ୍ଣ ବୋଲି ଭଜ

୪୯. କେହି କାହାର ନୁହଇଁ ଗୋ

୫୦. କେ କହେ ଦୟାଳୁ ବୋଲି

୫୧. କେବେ ଡାକିବି ହା ପ୍ରାଣେଶ୍ୱର

୫୨. କେବେ ଆସିବ ସେ ବେଳ

୫୩. କେ କହଇ ଜଗନ୍ନାଥ ଦ’ରୁକାଠ

୫୪. କେଉଁ କଥା ପ୍ରଭୁ ତୁମେ ନ ଜାଣ

୫୫. କେତେ ଦିନ ପାଇଁ ଗୃହରେ

(ଖ)

୫୬. ଖରାପ ନ ହୁଅରେ ମନ

୫୭. ଖାଲି ହରି ହରି କହିଲେ ନ ତରି

(ଗ)

୫୮. ଜ୍ଞାନୀ ନିଜକୁ ଆତ୍ମାମଣେ

୫୯. ଗୁରୁକୃଷ୍ଣ ଗୁରୁକୃଷ୍ଣ ବୋଲରେ

୬୦. ଗୁରୁ ଗୁରୁ ଗୁରୁ ବୋଲି ଭଜ

୬୧. ଗୁରୁ ଆଜ୍ଞାଗୋଟି ଗରୀୟସୀ

୬୨. ଗୋବିନ୍ଦ, ତୁମ ଇଛାହିଁ ସାର

(ଚ)

୬୩. ଚାଲ ସେହି ବୃନ୍ଦାବନ

||ଘ||

(ଜ)

୬୪. ଜୟ ଶ୍ରୀଗୁରୁ ଦେବ ପରଂବ୍ରହ୍ମ

୬୫. ଜଗବନ୍ଧୁ ଜଗନ୍ନାଥ

୬୬. ଜଡ଼ ହୋଇ ନ ବସ ବଡ଼ ଠାକୁର

୬୭. ଜଗନ୍ନାଥ ହେ ତୁମେ ଜାଣି ଚତୁର

୬୮. ଜନମ ଦେଇ ମୋତେ

୬୯. ଜଣା ପଡ଼ିଲା ହେ ତୁମ୍ଭର ପ୍ରଭୁ ପଣିଆ

୭୦. ଜପ ଅଜପା ମାପ ଅମପା

୭୧. ଜାଗି ଉଠ ଚଞ୍ଚଳ ସକଳ ଭାଇ

୭୨. ଜାଗି ଉଠ ଭାଇ ଭଉଣୀ

୭୩. ଜୀବନର ଲକ୍ଷ୍ୟ ନୁହେଁ ସୁଖ ଅବା ଦୁଃଖ

(ଠ)

୭୪. ଠାକୁର କଲ ଅବିଚାର

୭୫. ଠିକିଲେ ସିନା ଶିଖନ୍ତିରେ ମନୁଆଁ

(ତ)

୭୬. ତୀର୍ଥ ଧାମ ଯେତେ ଅଛି ଏ ଜଗତେ

୭୭. ତୁମ୍ଭ ସମ ବଳିୟାର ପ୍ରଭୁ

୭୮. ତୁମ ପାଇଁ ପ୍ରଭୁ ସବୁ ସହୁଛି

୭୯. ତୁମେ ଏଡ଼େ ଦଗାଦିଆ କପଟିଆ

୮୦. ତୋ ଜୀବନ ଯଉବନ ରହିବ ନାହିଁ

୮୧. ତୋର ନୟନେ ଦେଖୁଛୁ ଯାହାରେ

(ଥ)

୮୨. ଥରେ ଭକ୍ତି ଭରେ ପ୍ରଭୁ

(ଦ)

୮୩. ଦଗ ଦାର ନଟବର ଠକ ଠାକୁର

୮୪. ଦାରୁଭୂତ ମୁଗରି ହୋଇ

୮୫. ଦିନ ଯାଏ ଚାଲି ମନ ଆୟୁ ଯାଏ ସରି ରେ

୮୬. ଦୀନ ହୀନ ପାତକୀ ଡାକ

୮୭. ଦୀନବନ୍ଧୁ, ଦିନତ ଯାଉଛି ଚାଲି

୮୮. ଦୁଃଖ ସରିତେ ଯାଉଛି ଭାସି

୮୯. ଦୁଃଖ ପଙ୍କେ ସଢ଼ିବି ସୁଦ୍ଧା

୯୦. ଦୁଃଖ ପରମ ବନ୍ଧୁ ବୋଲି

୯୧. ଦୂର ବନ୍ଧୁଟି ସୁନ୍ଦର

୯୨. ଦୃଢ଼ଭାବେ କୃଷ୍ଣ ନାମ ଥାଅ ଧରି

୯୩. ଦେଉଳରେ ନିତି ପୂଜା ଯେ ହୁଅନ୍ତି

(ନ)

୯୪. ନାଟୁଆଙ୍କ ଗୁରୁ ନଟ ନାଗର

୯୫. ନିଜେ କିଏ ନିଜକଥା ଚେତାକର

୯୬. ନିଜେ ନିଜଦୋଷ ନ ଧରି ମାନସ

(ପ)

୯୭. ପରମ ଆଦରେ ପ୍ରଭୁ ସେବା କଲେ

୯୮. ପରୋପକାରଟି ପୁଣ୍ୟ ପରହିଂସା ମହାପାପ

୯୯. ପ୍ରଭୁ ହେ, ଦେଖାଦିଅ

୧୦୦. ପ୍ରଭୁ ତବ ଚିନ୍ତା କଲା ଦିନୁ

୧୦୧. ପ୍ରଭୁ ମୋତେ, ଭଲ ବୁଦ୍ଧି ସଦା ଦିଅ

୧୦୨. ପାପକୁ ସତତ ଘୃଣାକର

୧୦୩. ପାଇବ ଯେବେ ଠାକୁର

୧୦୪. ପ୍ରିୟତମ, ତୁମ କଥା ଭାବୁଥାଏ

||ଚ||

୧୦୫. ପ୍ରିୟ ସହି ଯେ ଯାହା କହିବ କହୁ

୧୦୬. ପୁରୀ ଦେଉଳରେ ଭାରି ଆନନ୍ଦରେ

୧୦୭. ପ୍ରେମ ଡୋରେ ବନ୍ଧା ସେହି

(ବ)

୧୦୮. ବକାଚିରା ଚକା ନୟନ

୧୦୯. ବସି ଭାବୁଅଛୁ କେଉଁ ଭାବରେ

୧୧୦. ବ୍ରହ୍ମ ଏଖାକ୍ଷର ଭାବ

୧୧୧. ବାୟାଧନ ମନେରଖ

୧୧୨. ବାଇମନରେ କାହିଁ ବୋଲି ନ ଖୋଜ

୧୧୩. ବ୍ୟାକୁଳ ହୋଇଣ ଡାକରେ

୧୧୪. ବ୍ରାହ୍ମ ମୁହୂର୍ତ୍ତରୁ ଚିନ୍ତି ବ୍ରହ୍ମଗୁରୁ

୧୧୫. ବୃଥା ଭାବନାରେ ଶାନ୍ତି ନାହିଁ

୧୧୬. ବୋହୁ ମୋର ଘର ଭଙ୍ଗେଇ

(ଭ)

୧୧୭. ଭବାବ୍‌ଧି ସ୍ରୋତରେ ଭାସୁଛି ଏବେଳେ

୧୧୮. ଭାଗବାନ ଦିଅବାରେ ଦରଶନ

୧୧୯. ଭଗବାନ ତୁମ୍ଭକୁ ଭୁଲି ଯାଉଛି

୧୨୦. ଭଜମନ ସନାତନ ବ୍ରହ୍ମ ନାମକୁ

୧୨୧. ଭଜରେ ମନ ସତ୍ୟଧର୍ମ ପରମବ୍ରହ୍ମ

୧୨୨. ଭଜ କାଳିଆ କାଳିଆ

୧୨୩. ଭଜରେ ଚିତ୍ତ ବ୍ରହ୍ମତତ୍ତ୍ୱ

୧୨୪. ଭୁଲାମନ ଭୁଲି ନ ଯାଆ

(ମ)

୧୨୫. ମହାପ୍ରଭୁ, ମାଗୁନାହିଁ ସ୍ୱର୍ଗସୁଖ

(ଛ)

୧୨୬. ମହାପ୍ରଭୁ ଯାହାଇଛା ତାହା କର

୧୨୭. ମହାଶୂନ୍ୟ ମଣ୍ଡଳରେ ମହାବ୍ରହ୍ମ

୧୨୮. ମନ ମୋ କଥା ମାନ

୧୨୯. ମନ ନ ଭୁଲରେ ଦେଖିୁ ଏ ମାୟା

୧୩୦. ମନ ଚଗଲାରେ ବଗଲିଆ ବୁଦ୍ଧି ଛାଡ଼

୧୩୧. ମନରେ, ଜୀବନ ରହିକି ହୋଇବ

୧୩୨. ମନ ଅବୁଝା ନ ହୁଅରେ

୧୩୩. ମନ ବାତୁଳ ହୋଇଲୁରେ

୧୩୪. ମନୁଆଁ, ଏଡ଼ିକି ନିଲଠା ହେଲୁ

୧୩୫. ମନରେ ସଂସାରଟା କୁଣିଆ ଘର

୧୩୬. ମଧୁକର ଘେନେ ଫୁଲରୁ ସୁଗନ୍ଧ

୧୩୭. ମାନସ, ବେଗେ ତୁ ହୁଅ ପବିତ୍ର

୧୩୮. ମୋ ହୀନମାନିଆ ପ୍ରାଣ

୧୩୯. ମୋତେ ପଛେ ଦୁଃଖେ

୧୪୦. ମୋର ମୋର ବୋଲି

(ଯ)

୧୪୧. ଯଦି ପ୍ରଭୁ ପ୍ରତି ନ ଜନ୍ମିଲା ଭକ୍ତି

୧୪୨. ଯଦି ଭୁଲି ସୁଖ ଆଦରିବୁ ଦୁଃଖ

୧୪୩. ଯାହାର ସୁମନ, ବ୍ରହ୍ମାନନ୍ଦେ ମଗ୍ନ

୧୪୪. ଯାହା କରୁଅଛ ଆହେ ନନ୍ଦ ବତ୍ସ

୧୪୫. ଯାହା ଇଚ୍ଛା ତାହା କର ପ୍ରଭୁ

୧୪୬. ଯେହୁ ଦେଲେ ତତ୍ତ୍ୱ ନାମରେ

୧୪୭. ଯେତେ ଇଚ୍ଛା ଦିଅ କଷଣ

୧୪୮. ଯେବେ ନ ପାଇଲି ପ୍ରଭୁ

||ଜ||

୧୪୯. ଯେତେବେଳେ ନ ଥିଲା ଠୁଳଶୂନ୍ୟ

୧୫୦. ଯେବେ ସତ୍ୟ ଧର୍ମ ପଥେ ପଥିକ

୧୫୧. ଯେ ପାଞ୍ଚଇ ପରମନ୍ଦ

(ର)

୧୫୨. ରାସ ଲୀଳା ଲାଗିଅଛି

୧୫୩. ରେ ମନୁଆଁ ନିଜକୁ ତୁ ଚିହ୍ନିଲୁ ନାହିଁ

୧୫୪. ରେ ବୋକା ଆସିଅଛୁ ଏକା

(ଶ)

୧୫୬. ଶରୀର ଗୁହାଳେ ମନ

୧୫୬. ଶ୍ୟାମ ସୁନ୍ଦର ହେ ମନ୍ଦର ଧର

୧୫୭. ଶୁଣିଲ ନାହିଁ ମୋ ଡାକ

୧୫୮. ଶୁଣ ମତି ଆଳୀ ବାଜଇ ମୁରଲୀ

(ସ)

୧୫୯. ସର୍ବ ଦେହବେ ଆତ୍ମା ଗୁରୁ କହୁଛି କଥା

୧୬୦. ସହି ହେଉ ନାହିଁ ଭବ ଯନ୍ତ୍ରଣା

୧୬୧. ସଙ୍ଗାତ, ସେ ପ୍ରେମ ଅତି ପବିତ୍ର

୧୬୨. ସହିଛି ସହୁଛି ସହିବି କହୁଛି

୧୬୩. ସଂସାରେ, ସେହି ସିନା ପ୍ରେମା ଭକ୍ତ

୧୬୪. ସାଧୁ ସଙ୍ଗ କର ହୋଇବ ଉଦ୍ଧାର

(ହ)

୧୬୫. ହେ କୃପା ସାଗର ଯେବେ

୧୬୬. ହେ ନଟ କୁଟିଆ ହଟ ହଟିଆ

୧୬୭. ହୋଇ ସାବଧାନ ଚଳ ଆରେ ମନ

(କ୍ଷ)

୧୬୮. କ୍ଷମା ଦିଅ ଏହିଥର

 

ଶ୍ରୀଗୁରୁ ବିନୋଦଙ୍କ ଜଣାଣ ଚଉତିଶା

କରିଛି ମହା ଅପ୍ରାଧ । କଉ ଦୋଷ କ୍ଷମା କ୍ଷମାସମୁଦ୍ର ହେ

ଗୁରୁ ବିନୋଦ । କଲବଲ ହୁଏ ହୃଦ ।୧।

ଖିଳ ବ୍ରହ୍ମାଣ୍ଡ ଗୋସାଇଁ । ଖଣ୍ଟ ଛ’ଅଇରି ହାତେ ମଗଇ ହେ

ଗୁରୁ ଗୋସାଇଁ । ଖାତେ ନ ଦିଅ ପକାଇ ।୨।

ଗରବ ଯେବେ କରିଲି । ଗୋଇଠୀ ମାରି ଗର୍ବଦିଅ ଚୂରି ହେ

ଗୁରୁ ଶ୍ରୀହରି । ଗଞ୍ଜଣା ହୋଇଲା ଭାରି ।୩।

ଘାରି ହୁଏ ମନଭାରି । ଘୋର ଜଞ୍ଜାଳରେ ଦେଇତ ପେଲି ହେ

ଗୁରୁ ମୁଗରି । ଘଣ୍ଟାଏ ନପାରେ ସ୍ମରି ।୪।

ଉପାୟ ଯେତେ କରଇ । ଊଣା ନ ହୋଇଣ ଖେଦ ବଢ଼ଇ ହେ

ଗୁରୁ କହ୍ନାଇ । ଉଠିଲେ ମୁଣ୍ଡ ଘୂରଇ ।୫।

ଚଳିବି ଭଲା କିପରି । ଚାରିଆଡ଼େ ମାୟା ଅଛଇ ଘେରି ହେ

ଗୁରୁ ଶ୍ରୀହରି । ଚାହିଁ ହୃଦ ଉଠେ ଥରି ।୬।

ଛଦ୍ରମ ପରା ନ ଜାଣ । ଛପି କିଏ କରେ ମାୟା ଭିଆଣ ହେ

ଗୁରୁ ମୋହନ । ଛଟ ପଟ ହୁଏ ପ୍ରାଣ ।୭।

ଜପି ଜପି ତବ ନାମ । ଜୀବନ କି କେବେ ଯିବ ଚାଲିଣ ହେ

ଗୁରୁ ମୋହନ । ଜୁଟୁନାହିଁ ସେ ମରଣ ।୮।

ଝିଙ୍କୁଛି ଧରିଣ ମାୟା । ଝୋଲାମରା ହୋଇ ଥରଇ କାୟା ହେ

ଗୁରୁ ନିର୍ମାୟା । ଝଅଟ କର ସୁଦୟା ।୯।

ନର୍କେ ସ୍ୱର୍ଗେ ସମ ହୋଇ ନିତ୍ୟାନନ୍ଦେ କେହ୍ନେ ଖେଳୁଛ ରହି ହେ

ଗୁରୁ ମାଧୋଇ । ନ ଦେଇ ସେ ତତ୍ତ୍ୱ କହି ।୧୦।

ଟିକିଏ ଲଭିଲେ ଦୟା । ଟାଉକା ମନକୁ ଦିଅନ୍ତି ଚିଆଁ ହେ

ଗୁରୁ କାଳିଆ । ଟଳନ୍ତା ସଂସାର ମାୟା ।୧୧।

ଠଳ ଶୂନ୍ୟ ନିଗମୟ । ଠକି ଯେତେ ଦୁଃଖ ଦେବାର ଦିଅ ହେ

ଗୁରୁ ଅଭୟ । ଠୁକେ ନାମ ନ ଭୁଲାଅ ।୧୨।

ଡ଼ଙ୍ଗାରେ ତରାଇ ହୋଇ । ଡରାଇଣ ଯେବେ ଦେବ ଡୁବାଇ ହେ

ଗୁରୁ ଗୋସାଇଁ । ଡାକ ଶୁଣିବ କେ କାହିଁ ? ।୧୩।

ଢ଼ଳହଳ ଜ୍ୟୋତି ରୂପ । ଢ଼ଳି ଘଟେ ଘଟେ ହୋଇଛ ଗୋପ୍ୟ ହେ

ଗୁରୁ ଅରୂପ । ଢାଳେ ହଟାଅ ତ୍ରିତାପ ।୧୪।

ଅନ୍ତର୍ଯ୍ୟାମୀ ନାମ ବହି । ଅନ୍ତର କରୁଛ କିମ୍ପା ଗୋସାଇଁ ହେ

ଗୁରୁ କହ୍ନାଇ । ଅନୁସରିଣ ଡ଼ାକଇ ।୧୫।

ତାର ଅବା ମୋତେ ମାର । ତବ ଇଚ୍ଛା ଯାହା କରିବ କର ହେ

ଗୁରୁ ଠାକୁର । ତୁମ୍ଭେ ମୋର ମୁଁ ତୁମ୍ଭର ।୧୬।

ସ୍ଥାପିବାକୁ ତବ ମୂର୍ତ୍ତି । ଥୟ ହେଉ ନାହିଁ ମାନସ ନିତି ହେ

ଗୁରୁ ସଂଜ୍ୟୋତି । ସ୍ଥିର କରାଅ ମୋ ମତି ।୧୭।

ଦୁନିଆରେ ତୁମ୍ଭ ସମ । ଦୟାଳୁ ପ୍ରଭୁ କେ ନାହିଁ ବୋଲିଣ ହେ

ଗୁରୁ ପରମ । ଦୀନ କରୁଛି ଜଣାଣ ।୧୮।

ଧନ୍ୟ ତବ ମାୟା ଖେଳ । ଧନ୍ୟ ଧନ୍ୟ ତବ ତ୍ରିଗୁଣ ଡ଼ୋର ହେ

ଗୁରୁ ଈଶ୍ୱର । ଧନ୍ଦି ହୋଇ ସରେ ବେଳ ।୧୯।

ନିନ୍ଦା କଷ୍ଟ ଦେଲେ ଦିଅ । ନ ଭୁଲିବି ଯେହ୍ନେ ତୁମରି ଲୟ ହେ

ଗୁରୁ ଚିନ୍ମୟ । ନିଜର ଲବେ ପକାଅ ।୨୦।

ପୂଜିବି କି ଦ୍ରବ୍ୟ ଧରି । ପଦାର୍ଥ ତ ଯେତେ ସବୁ ତୁମ୍ଭରି ହେ

ଗୁରୁ ମାଧୁରୀ । ପ୍ରେମେ ନ ପାରଇ ସ୍ମରି ।୨୧।

ଫାଟି ନ ଯାଉଛି ଛାତି । ଫୁଟି ନ ଯାଏ ମୋ ନେତ୍ର ଦୁଇଟି ହେ

ଗୁରୁ ମୂରତି । ଫଟା କରମ ମୋରଟି ।୨୨।

ବୃଥା ସାରୁଛି ସମୟ । ବିଶ୍ୱାସ ପ୍ରେମେ ନ କରିଲି ଲୟ ହେ

ଗୁରୁ ଅଭୟ । ବିଦାରୁଅଛି ହୃଦୟ ।୨୩।

ଭାବନା ସ୍ରୋତେ ଭାସଇ । ଭବ ଭେଳକିରେ ମନ ଭ୍ରମଇ ହେ

ଗୁରୁ ଗୋସାଇଁ । ଭରସା କତରି ଡ଼ାକଇ ।୨୪।

ମୁଁ, ମୋର, ଦେହାଭିମାନ । ମହା ଦୁରିତଟି ଅଟେ ଏ ମାନ ହେ

ଗୁରୁ ମୋହନ । ମନୁ ତୁଟାଅ ବହନ ।୨୫।

ଯେବେ ଥିବ ନାମେ ଲୟ । ଯମକୁ କାହିଁକି ରହିବ ଭୟହେ ।

ଗୁରୁ ଚିନ୍ମୟ । ଜପିବାକୁ ଶକ୍ତି ଦିଅ ।୨୬।

ରଖ ସ୍ୱର୍ଗ ନର୍କେ ଯହିଁ । ରହୁ ମନ ତବ ଚରଣ ଠାଇଁ ହେ

ଗୁରୁ ଗୋସାଇଁ । ରଙ୍ଗେ ନ ଦିଅ ଭୁଲାଇ ।୨୭।

ଲାଭ ହାନି ସମ ଚିନ୍ତି । ଲୋଭ କରି ତବ ଭାବ ଭକତି ହେ

ଗୁରୁ ମୂରତି । ଲୟେ ଭାବୁଥିବି ନିତି ।୨୮।

ବାଜୁଥାଉ ନିନ୍ଦାବାଦ୍ୟ । ବଢୁ ଦୁଃଖ କଷ୍ଟ ପଡୁ ବିପଦ ହେ

ଗୁରୁ ଗୋବିନ୍ଦ । ବନ୍ଦୁ ଥିବି ପଦ୍ମ ପାଦ ।୨୯।

ଶ୍ରୀମୁଖ ବଚନ ପାଳି । ଶୁଦ୍ଧ କରିବିକି ଚିତ୍ତ ମୋହରି ହେ

ଗୁରୁ ମାଧୁରୀ । ଶୁଭାଶିଷ ଦିଅ ଢ଼ାଳି ।୩୦।

ସଂଯମ ସହିଷ୍ଣୁ ହୋଇ । ସତ୍ୟ ଧର୍ମପଥେ ଚଳିବି ରହି ହେ

ଗୁରୁ ଗୋସାଇଁ । ସୁଦୃଷ୍ଟିରେ ଦିଅ ଚାହିଁ ।୩୧।

ଷଡ୍‌ଚକ୍ର ବିହାରୀ ହରି । ଷଡ୍‌ଐରି କବଳୁ ନିଅ ଉଦ୍ଧରି ହେ

ଗୁରୁ ମାଧୁରୀ । ଶରଣ ପଶଇ ଭାଳି ।୩୨।

ହତ ହେଲାବେଳେ କାୟା । ହେଗୁରୁ କହି ଛାଡୁ ପ୍ରାଣ ବାଆ ହେ

ଗୁରୁ କାଳିଆ । ହେଉ ଏତିକି ସୁଦୟା ।୩୩।

କ୍ଷେତ୍ରେ ମଧୁ ଭାବେ ଈଶ । କ୍ଷମା କର ଦୋଷ ହୋଇ ସନ୍ତୋଷ ହେ

ଗୁରୁ ସ୍ମହଂସ । କ୍ଷରାଅ ମଧୁର ରସ ।୩୪।

-୦-

ଶ୍ରୀ ଗୁରୁ ଜଣାଣ

[ରାଗ ଚତ୍ରକେଳି ବୃତ୍ତେ]

ଜୟ ଶ୍ରୀଗୁରୁଦେବ ପରଂବ୍ରହ୍ମ, ତବ ଛାମୁରେ କରୁଛି ଜଣାଣ ।୧।

ତ୍ରୟ ତାପ କଷଣରେ ପଡ଼ିଛି, ଅତି ଆରତରେ ଡ଼ାକି କହୁଛି ।୨।

ଯେବେ ଦେଉଛ କଷଣ ବିପତ୍ତି, ତେବେ ସହିବାକୁ ଦିଅ ଶକତି ।୩।

ତୁମେ ଆର୍ତ୍ତତ୍ରାଣ କ୍ଷମାସାଗର, ଆର୍ତ୍ତଜନଙ୍କୁ ଭବୁ ପାରି କର ।୪।

ଦୁଃଖ ବେଳେ ଦୃଢ଼େ ତୁମକୁ ଡାକି, କେତେ ଦୁଃଖିଜନ ହୁଅନ୍ତି ସୁଖୀ ।୫।

ଯେ ଯେଉଁ ଭାବେ ଡାକଇ ଭଜିଣ, ତାର ପୁରାଅ ସେହି ମନସ୍କାମ ।୬।

କୋଟି ଲୋକରେ ଗୋଟିଏ ନିଷ୍କାମୀ, ପ୍ରେମେ ଭଜନ୍ତି ତବ ପାଦେ ନମି ।୭।

ତବ କରଣେ ଅଛି ଶାନ୍ତି ତତ୍ତ୍ୱ, ତବ ଚରଣେ ଅଛି ମନ୍ତ୍ର ତୀର୍ଥ ।୮।

ତବ ପଦ୍ମପାଦ ଭକ୍ତି ସମ୍ପଦ, ଅନିତ୍ୟ ଗୃହ ପୁତ୍ର ମୋହ ଦ୍ୱନ୍ଦ୍ୱ ।୯।

ବନ୍ଧୁ କୁଟୁମ୍ୱ ଶେଷେ ହେବେପର, ଗୁରୁହେ ତୁମ୍ଭେ ମୋର ଆପଣାର ।୧୦।

ଅନ୍ତକାଳେ ସଙ୍ଗେ ନଯିବେ କେହି, ତୁମ୍ଭେ ତାରିବ ପ୍ରାଣବନ୍ଧୁ ହୋଇ ।୧୧।

ତବ ପରି ଜୀବନ ବନ୍ଧୁଥାଇ, ଏ ଜୀବ ଅନ୍ୟକୁ କିମ୍ପା ଭାବଇ ।୧୨।

ଜୀବ ଜାଣୁଛି ସକଳ ଅସାର, ପୁଣି ମାୟାରେ ହେଉଅଛି ଭୋଳ ।୧୩।

ଜୀବର ଅଜ୍ଞାନ ମାୟା ତିମିର, ତବ କୃପା ହୋଇଲେ ହୁଏ ଦୂର ।୧୪।

ଆହେ କରୁଣା ପାରାବାର ଦେବ, କରୁଣା କରି ଦିଅ ତବ ଭାବ ।୧୫।

ତବ ନାମଟି ପତିତପାବନ, ତେଣୁ ବିନତି କରୁଛି ଡ଼ାକିଣ ।୧୬।

ଭାବଗ୍ରାହୀ ହେ ଭକତଜୀବନ, ଭବ ଅର୍ଣ୍ଣବ ତାଣେ କାରଣ ।୧୭।

ଆଉ କେହି ନାହିଁ ମୋର ଭରସା , ତବ ପଦତଳେ କରିଛି ଆଶା ।୧୮।

ଧନ ପୁତ୍ର ସୁଖ ଅସାର ସର୍ବ, ସାର ଏକା ତବ ଚରଣ ଭାବ ।୧୯।

ସେହି ପୟରେ ରଖାଅ ଏ ମନ, ପାଦପଦ୍ମ ଭାବି ଯାଉ ଜୀବନ ।୨୦।

ଅନ୍ୟ ଭାବନାରେ ନରହୁ ମନ, ଅନ୍ୟ କଥାମାନ ନ ଶୁଣୁ କର୍ଣ୍ଣ ।୨୧।

ଅନ୍ୟ ରୂପକୁ ଧ୍ୟାନ ନ କରିଣ, ତବ ମୂର୍ତ୍ତି ଏ ନେତ୍ର କରୁ ଧ୍ୟାନ ।୨୨।

ଅନ୍ୟ କର୍ମମାନ ଫିଙ୍ଗି ଦୂରରେ, ତବ କର୍ମ କରୁ ଏ ହସ୍ତ ବଳେ ।୨୩।

ସହି କଷଣ ଅପମାନ ବାଧା, ତବ ନାମେ ଯେହ୍ନେ କରିବି ଶ୍ରଦ୍ଧା ।୨୪।

ସେହି ଶକ୍ତି ହୃଦରେ ଦିଅ ନିତି, ଲୋଡ଼ା ନାହିଁ ସୁଖ ବିଳାସ କୀର୍ତ୍ତି ।୨୫।

ଲୋଡୁଅଛି କେବଳ ତବ ଭକ୍ତି, ବେଳେବେଳେ କିମ୍ପା ଭୁଲାଅ ମତି ।୨୬।

ଆଉ ଏଣିକି ଭୁଲାଇ ନ ଦିଅ, ଚଞ୍ଚଳ ମନକୁ ସ୍ଥିର କରାଅ ।୨୭।

ନିଷ୍ଠୁର ନିର୍ଦ୍ଦୟ ରୀତି ତେଜିଣ, ପ୍ରେମ ଭଣ୍ଡାରୁ ପ୍ରେମ କର ଦାନ ।୨୮।

କୃପଣ ପରାୟ ହୁଅ କାହିଁକି, ଲବେ ମାତ୍ର ଦେଲେ ସରିଯିବକି ?।୨୯।

ମାଗୁନାହିଁ ଟଙ୍କା ପଇସା ସୁମନା, କେବଳ ମଧୂର ଭବ କାମନା ।୩୦।

-୦-

ଚେତାବାଣୀ

[କାହାକୁରେ ନୀରବେ ଭାବୁଛୁ-ବୃତ୍ତେ]

କହୁଛିରେ ଚେତାକର ଗୁରୁ କଥା ।

ନ ମାନି ସେ ଆଜ୍ଞା କରିଲେ ଅବଜ୍ଞା ନିଶ୍ଚେ ହେବୁ ହଟହଟା ।।ପଦ।।

ସଂଯମ ପଥରେ ଧୀରେ ଚାଲୁଥିଲେ କେଭେଁ ନ ମାଡ଼ିବୁ କଣ୍ଟା

ଆସକ୍ତି ବାଟରେ ପାଦ ପକାଇଲେ ଘୂରିଯିବ ତୋର ମଥା

ଶେଷେ ପୁଣି ପାଇବୁ କଷଣ ବ୍ୟଥା ।୧।।

ଗୁରୁ ପରଂବ୍ରହ୍ମ, ଗୁରୁ ଆତ୍ମାରାମ, ଗୁରୁ ହର୍ତ୍ତାକର୍ତ୍ତା, ଦାତା

ଗୁରୁ ଗତି , ପତି , ଗୁରୁ ଆଦ୍ୟା ଶକ୍ତି, ଗୁରୁ ପୁତ୍ର, ସଖା , ପିତା

ଗୁରୁ ସିନା ତୋର ଜୀବନ କରତା ।୨।।

ଶ୍ରୀଗୁରୁଙ୍କ ବାକ୍ୟ ଦିଏ ନିତ୍ୟ ସୁଖ ବିକାଶେ ଜ୍ଞାନ ସବିତା

ବିଶ୍ୱର ସଂସାର କେ ନୁହେଁ କାହାର ସବୁ କଥା ସିନା ମିଥ୍ୟା

ଶେଷବେଳେ ସବୁ ହୋଇଯିବ ବୃଥା ।୩।।

କୁମତି, କୁଆଶା ଇନ୍ଦ୍ରିୟ ଲାଳସା ଯେତେକ ମାୟା ମମତା

ବିଳାସ ବାସନା ଦିଅଇ ଯାତନା ନ କର ଆଉ ସେ ଚିନ୍ତା

ମଧୁଭାଷେ ଚିନ୍ତ ଆରାଧ୍ୟ ଦେବତା ।୪।।

-୦-

(କାହାକୁ ଭାବୁଛ ନୀରବେ –ବୃତ୍ତେ)

କହଭଲା, କିଏ ତୋର ଅଥି ପ୍ରିୟ

କେଉଁ ସ୍ନେହଭାବ ତୋତେ ଉଦ୍ଧାରିବ କହ କେଉଁ ଭକ୍ତି ଶ୍ରେୟ ।।ପଦ।।

(ଏଣେ) ଫୁଲ ଚନନ୍ଦନରେ ପୂଜା କରି ତେଣେ ଭବେ କଲେ ବେଶୀ ସ୍ନେହ

ସେ ପୂଜାର ମୂଲ୍ୟ ନ ଥାଏ କେବଳ ଲୋକ ଦେଖାଣିଆ ନ୍ୟାୟ

ସେ ପୂଜାକୁ ନ ଘେନନ୍ତି ଦୟାମୟ ।୧।।

ଧ୍ୟେୟ ମୂର୍ତ୍ତି ପ୍ରତି ରଖିଲେ ଆସକ୍ତି ପାପ ଦୋଷ ହଏ କ୍ଷୟ

ନ କରିଣ ଚେତା କରୁ ଯେଉଁ କଥା ଲଭିବୁ କଷଣଭୟ

ଦିନ ଯିବ ପୋଛି ପୋଛି ଆଖି ଲୁହ ।୨।।

ଗୁରୁଭକ୍ତି ଭୁଲି ଲଘୁ ଭକ୍ତି କରି କାହାସଙ୍ଗେ ହେଉ ମୋହ

କେତେ ଦିନ ପାଇଁ ଲୋଭ ଗର୍ବ ଛଇ କେତେ ଦିନ ପାଇଁ ଗୃହ

ମାଟି ତଳେ ମିଶିଯିବ ତୋର ଦେହ ।୩।।

ଗୁରୁ ସ୍ୱୟଂ ବ୍ରହ୍ମ ନଭାବି ଏ ଜ୍ଞାନ ରଖିଲୁ ମନେ ସଂଶୟ

ଏ ଭବସାଗରେ ଭଙ୍ଗା ନଉକାରେ ପାଞ୍ଚୁ ତରିବା ଉପାୟ

ବୁଡ଼ିଯିବୁ ଭବଜଳେ ତୁ ନିଶ୍ଚୟ ।୪।।

*

ଭଜନ

(ରାଧେକୃଷ୍ଣ ରାଧେକୃଷ୍ଣ ରଟରେ –ବୃତ୍ତେ)

ଗୁରୁକୃଷ୍ଣ ଗୁରୁକୃଷ୍ଣ ବୋଲରେ

ଗୋରୁ ସମ ସବୁ ସହି ଧର୍ମପଥେ ଚାଲରେ ।ପଦ।।

ଗାଳି ମାଡ କଷଣକୁ କରିଣ ଆଦରରେ

ଗ୍ରାମର ଦେଶର ସଦା କର ଉପକାରରେ ।୧।।

ଜ୍ଞାନହୀନ ମନୁଷ୍ୟଟି ଅଟେ ପଶୁତୁଲ୍ୟରେ

ଗୁରୁ ସେବା କରି ବେଗେ ଜ୍ଞାନ ଲାଭ କରରେ ।୨।।

ଗୁଜବ କଥାକୁ ଆଉ ଶ୍ରବଣ ନ ଡ଼େରରେ

ଗେଲ, ଥଟ୍ଟା, ହିଂସା, ମିଥ୍ୟା ବେଗେ କର ଦୂରରେ ।।୩।।

ଗୁରୁବାକ୍ୟ ମାନିଣ ଚଳିଲେ ନିରନ୍ତରରେ

ଗୋଳିଆ ମନ ତୋହର ହୋଇବ ନିର୍ମଳରେ ।୪।।

***

ଗୁରୁ

[କଳା କଳେବର କହ୍ନାଇ -ବୃତ୍ତେ]

କେହି କାହାର ନୁହଁଇ ଗୋ ବୃଥା ଲାଗିଛି ଖେଳ

ମାୟା ସଂସାରରେ ସାର ଗୋ ଏକା ଗୁରୁ ପୟର ।।୧।।

ନର ଦେହେ ଅବତରି ଗୋ ଗୁରୁ କରନ୍ତି ଲୀଳା

ଭ୍ରାନ୍ତଜନେ ବୁଝି ନ ପାରି ହେଉଥାନ୍ତି ବାଉଳା ।।୨।।

ବୁଝି ଅବୁଝା କେ ହୋଇଣ ପୁଣି ଭ୍ରମ ହୁଅନ୍ତି

ଗୁରୁ ଅପରାଧୀ ହୋଇଣ ଭବାବ୍‌ଧିରେ ବୁଡ଼ନ୍ତି ।।୩।।

ଶିବଠାରେ ଅପ୍ରାଧୀ ହେଲେ ବିଷ୍ଣୁଠାରେ ତରନ୍ତି

ବିଷ୍ଣୁଠାରେ ଅପ୍ରାଧୀ ହେଲେ ଶ୍ରୀଗୁରୁ ଉଦ୍ଧାରନ୍ତି ।।୪।।

ଗୁରୁଠାରେ ଅପ୍ରାଧୀ ହେଲେ କେହି ରଖି ନ ପାରେ

ଦୁଃଖ ଯାତନାଦି ଭୋଗିଣ ମହାନର୍କେ ବିହରେ ।।୫।।

ଗୁରୁ ସାକ୍ଷାତେ ପରଂବ୍ରହ୍ମ ରୂପଗୁଣୁ ଅତୀତ

ଘଟ ମଧ୍ୟରେ ସେହି ଆତ୍ମା ମାତ୍ର ନୁହନ୍ତି ଘଟ ।।୬।।

ଘଟ ମନ୍ଦିରରେ ଅଛନ୍ତି ଆତ୍ମା ଗୁରୁଙ୍କୁ ଚିନ୍ତି

ବ୍ରହ୍ମାନନ୍ଦ ଚିତ୍ତ ଗୁରୁଙ୍କ ପାଦେ କର ଭକତି ।।୭।।

“ଓଁ ଗୁରୁ” ବୋଲି ଭଜୁଥାଅ ଏ ଅଟେ ଶ୍ରେଷ୍ଠ ମନ୍ତ୍ର

ଆଉ ଅନ୍ୟ ମନ୍ତ୍ର ସର୍ବସ୍ଥିତ ଭାବି କର ଭଜନ ।।୮।।

ଓଁ ଗୁରୁ ମନ୍ତ୍ରେ ସର୍ବସ୍ଥିତ ଭାବି କର ଭଜନ

ଓଁ ଗୁରୁ ବୋଲି ମଧୁ ଆତ୍ମେ ପଶୁଅଛି ଶରଣ ।।୯।।

*

ମନପ୍ରତି

ଯେହୁ ଦେଲେ ତତ୍ତ୍ୱ ନାମରେ, ସେହିଟି ସାକ୍ଷାତେ ବ୍ରହ୍ମ,

ହୃଦ ସିଂହାସନେ ବସାଇ ଯତନେ କର ସେ ପାଦ ପୂଜନ ମୋ ମନରେ ।।୧।।

ନର ଘଟରେ ସେ ଥାଇରେ, ତୋତେ ଯାହା ଦେଲେ କହି,

ବିଶ୍ୱାସରେ ଧ୍ୟାଇ ଭଜୁଥିଲେ ତୁହି ଅନ୍ତିମେ ହୋଇବୁ ତ୍ରାହି ମୋ ମନରେ ।।୨।।

ନ ଭୁଲି ତାଙ୍କୁ ଏଣିକିରେ, ଭାବୁଥାଆ ସେ ବାଣୀକି

ପାଇ କଷ୍ଟ ନିନ୍ଦା ନ ଭୁଲିଣ ସୁଦ୍ଧା ଧରୁଥା ପାଦ ପାଣିକି ମୋ ମନରେ ।।୩।।

ସର୍ବ ଘଟେ ତାଙ୍କ ଘରରେ, ଭକ୍ତିରେ ସେ ଚିନ୍ତାକର,

ସେ ଦୋଷ କର୍ମାଦି ମନେ ନ ବିଚାର ସେ ପରା ତ୍ରିଗୁଣ ପର ମୋ ମନରେ ।।୪।।

ମନୁଷ୍ୟ ବୋଲି ନ ମଣରେ, ଗୁରୁ ସ୍ୱୟଂ ପରଂବ୍ରହ୍ମ,

ଜୀବ ଉଦ୍ଧାରିବା ପାଇଁ ତାଙ୍କ ଜନ୍ମ ବହିଛନ୍ତି ନାନା ନାମ ମୋ ମନରେ ।।୫।।

ସେହିଟି ମହା ଦୟାଳୁରେ, ତାରିବେ ଭବସାଗରୁ

ଗୁରୁପ୍ରାୟ ଦ୍ରବ୍ୟ ଅଟଇ ଦୁର୍ଲଭ ମିଳଇ ପୂର୍ବ ଭାଗ୍ୟରୁ ମୋ ମନରେ ।।୬।।

ତାଙ୍କ ସନ୍ତୋଷ ପାଇଁକିରେ , କର୍ମ ନ କରୁ କାହିଁକି?

ସେ ବିରସ ଯୋଗୁଁ ହେଉସିନା ଦୁଃଖୀ ନ ଚେତୁ କହିଲେ ଡ଼ାକି ମୋ ମନରେ ।।୭।।

ନାମଟି ଅମୂଲ୍ୟ ଧନରେ, ତୋତେ ସେ ଦେଲେ ଯାଚିଣ,

ତୁ ଦେବାକୁ କିଆଁ ହେଉଛୁ କୃପଣ ଦିଅ ତାଙ୍କୁ ମନ ପ୍ରାଣ ମୋ ମନରେ ।।୮।।

ଧନେ ସେ ତୁପ୍ତ ନୁହନ୍ତିରେ, ଭକ୍ତିରେ ଦୟା କରନ୍ତି,

ଶୁଦ୍ଧ ପ୍ରେମଭରେ ଡ଼ାକିଲେ ଅନ୍ତରେ ନିକଟେ ଧାଇଁ ଆଶନ୍ତି ମୋ ମନରେ ।।୯।।

ସ୍ନେହେ ଯେ ନ କରେ ସେବାରେ, ବୃଥା ତା ମନ୍ତ୍ର ଭଜିବା

ବୃଥା ଧ୍ୟାନ ଜ୍ଞାନ, ଯୋଗ, ଯାଗ, କର୍ମ ବୃଥା ତା ଶାସ୍ତ୍ର ପଢିବା ମୋ ମନରେ ।।୧୦।।

ବିଶ୍ୱାସରେ ସେବା କରରେ, ସେବାରେ ମିଳେ ସକଳ,

ସେବାରେ ଏବାରେ ଖେଳନ୍ତି ବାୟୁରେ ଭାବିଲେ ତୁଟେ ସଂସାର ମୋ ମନରେ ।।୧୧।।

ମାୟାଜାଲେ ହୋଇ ବନ୍ଦିରେ, କାହାପାଇଁ ହେଉ ଧନ୍ଦି,

କାଳଗଣେ ଯଦି ତୋତେ ନେବେ ବାନ୍ଧି ସେ ବେଳେ କେ ଦେବ ବୁଦ୍ଧି ମୋ ମନରେ ।।୧୨।।

ଭୀଷଣ ଭବ ବାରିଧିରେ, ମଝିରେ ଭାସୁଛୁ ଯଦି,

ପତିତପାବନ ବୋଲି ପ୍ରେମେ କାନ୍ଦି କୂଳରେ ବସ ତୁ କୁଦି ମୋ ମନରେ ।।୧୩।।

ପାପୀ ଉଦ୍ଧାରିବା ପାଇଁରେ, ମର୍ତ୍ତ୍ୟେ ଜନ୍ମେ ହେଲେ ସେହି,

ତେବେ କିମ୍ପା ବୃଥା କରୁ ନାନା ଚିନ୍ତା, ଡାକ ଗୁରୁ ତ୍ରାହିତ୍ରାହି ମୋ ମନରେ ।।୧୪।।

ବୃଥା ଭାବନା ନ କରରେ, ମିଥ୍ୟାଟି ଗୃହ ସଂସାର,

ମିଥ୍ୟା ପୁତ୍ର, ଧନ, ଜୀବନ ଯୌବନ ସତ୍ୟଟି ନାମ କେବଳ ମୋ ମନରେ ।।୧୫।।

ସେ ନାମ କରି ସ୍ମରଣରେ, ଚାଲି ଯାଉ ଏ ପରାଣ,

ମଧୁଦାସ ବୋଲେ ପ୍ରାଣ ଗଲାବେଳେ ସେ ନାମେ ରଖିବୁ ଧ୍ୟାନ ମୋ ମନରେ ।।୧୬।।

***

ଗୁରୁଭକ୍ତି

[ନୀର ଆଣି ଯାଇଥିଲି କାଳିନ୍ଦି - ବୃତ୍ତେ]

ଗୁରୁ ଗୁରୁ ଗୁରୁ ବୋଲି ଭଜ ଆରେ ମତି

କରି ପାରିଲେ ଭକତିରେ ମାନସ ହୋଇବୁ ମୁକତିରେ ହୋଇବୁ ମୁକତି ।।୧।।

ଭକ୍ତି ଶ୍ରେଷ୍ଠ ବୋଲି ଶାସ୍ତ୍ରେ ହୋଇଛି ପ୍ରମାଣ

ଯୋଗ, ଯାଗ, ତପ, ଜ୍ଞାନରେ ମାନସ ଏ ଯୁଗେ କଠିନରେ ଏ ଯୁଗେ କଠିନ ।।୨।।

ଗୁରୁ ସେବା, ଗୁରୁ ଧ୍ୟାନ ଶିଷ୍ୟରଟି ଶ୍ରେୟ

ଗୁରୁଙ୍କ ଭାବିଣ ବ୍ରହ୍ମରେ ମାନସ କର ଆଶ୍ରୟରେ କର ସେ ଆଶ୍ରୟ ।।୩।।

ଗୁରୁ ବ୍ୟତୀତ ଜୀବର ନାହିଁ ପରିତ୍ରାଣ

ଗୁରୁଙ୍କ ଆଜ୍ଞା ପାଳଣରେ ମାନସ କର ସେ ଭଜନରେ କର ସେ ଭଜନ ।।୪।।

ଗୁରୁଠାରେ ଦୃଢ଼ ଯାର ସେ ଆଜ୍ଞା ପାଳଇ

ସେ ଆଜ୍ଞା ପାଳି ପାରିଲେରେ ମାନସ ମାୟା ବାଧଇରେ ମାୟା ନ ବାଧଇ ।।୫।।

ଗୁରୁ ପୁଣ ଗୁରୁ ନାମ ଭଜିଲେ ତରନ୍ତି

ବିନା ନାବ ନାବିକରେ ରେ ମାନସ କେ ଡରି ନାହିଁନ୍ତିରେ କେ ତରି ନାହିଁନ୍ତି ।।୬।।

ଗୁରୁଟି ନିର୍ଗୁଣ ଗୁଣ ଦୋଷ କିଛି ନାହିଁ

ଦୋଷ ଗୁଣ ବାଛୁଥିଲେରେ ମାନସ ଜୀବ ନ ତରଇରେ ଜୀବ ନ ତରଇ ।।୭।।

ଶରୀରର ସିନା ଥାଏ ଦୋଷ ଗୁଣ ରୀତି

ଗୁରୁ ତ ଲାଗି ଅଲଗାରେ ମାନସ ନିର୍ଲିପ୍ତେ ଖେଳନ୍ତି ।।୮।।

ଗୁରୁ ଭାବି ଯଦି ନାମ କରିଲୁ ଗ୍ରହଣ

ଅବିଶ୍ୱାସୀ ହୋଇ ଆଉରେ ମାନସ ନ ହୁଅ ଭରମରେ ନ ହୁଅ ଭରମ ।।୯।।

ବିଶ୍ୱାସଟି ମୂଳ ଡାକି ମଧୁଦାସ ବୋଲେ

ମୂଳେ ସ୍ନେହ ଜଳ ଦିଅରେ ମାନସ ନ ଦିଅ ତୁ ଡାଳେରେ ନ ଦିଅ ତୁ ଡାଳେ ।।୧୦।।

*

ଗୁରୁ ଉପଦେଶ ଭଜନ

ବୃଥା ଭାବନାରେ ଶାନ୍ତି ନାହିଁ ତିଳେ କିମ୍ପା ଭାବୁ ବୃଥା କଥା

ଭାବନାରୁ ସିନା ଜନ୍ମଇ କାମନା କାମନାଟି ଦିଏ ବ୍ୟଥା ୧।

ଯାହା ହୋଇବାର ଥାଏ ସେ ସଜଳ ହୁଅଇ ନିଶ୍ଚେ ସେ ବେଳେ

କାଳ ରାତି ରୀତି କେହି ନ ଏଡ଼ନ୍ତି କାଳ ଅଧୀନ ସକଳେ ୨।

ପୂର୍ବାର୍ଜ୍ଜିତ କର୍ମ ଫଳରୁ ଜନମ ମରଣ ସିନା ହୁଅଇ

କର୍ମ ଯୋଗୁ ଦୁଃଖ, କଷ୍ଟ, ରୋଗ, ଶୋକ ଯନ୍ତ୍ରଣାମାନ ମିଳଇ ।୩।

କର୍ମ ଦୋଷ କେହି ନାଶି ନ ପାରଇ ଏକା ଜ୍ଞାନାଗ୍ନି ନାଶଇ

ଜ୍ଞାନାଗ୍ନି ବଳରେ କର୍ମ ଦୋଷ ତିଳେ ନ ରହି ନଷ୍ଟ ହୁଅଇ ୪।

ଶ୍ରୀଗୁରୁଙ୍କ ଆଜ୍ଞା ନ କରି ଅବଜ୍ଞା ଗୁରୁଙ୍କ ସେବା ଯେ କରେ

ହେଲେ ଗୁରୁଦୟା ଘୁଞ୍ଚେ ଭବମାୟା ଜ୍ଞାନଗ୍ନିରେ ପାପ ଜଳେ ।୫।

ଏଣୁ ଗୁରୁଆଜ୍ଞା ନ କରି ଅବଜ୍ଞା ମନକୁ କରିବୁ ସ୍ଥିର

ସବୁ ଦୁଃଖ ବାଧା ନିନ୍ଦା ସହି ସଦା ଭାବୁଥିବୁ ଗୁରୁଗୀର ୬।

ଗୁରୁ କୃପାକଲେ ଜ୍ଞାନ ସିନା ମିଳେ ଗୁରୁଙ୍କୁ ନ ଭାବୁ କିମ୍ପା

ବୃଥା ଚିନ୍ତାକରି ହେଉ ଏତେ ସରି ଚିନ୍ତ ଗୁରୁ ଅନୁକମ୍ପା ୭।

ଯେତେବେଳେ ମନ ଚଞ୍ଚଳ ହୋଇଣ ଏଣେ ତେଣେ ଧାଉଁଥାଏ

ଧ୍ୟାଇ ଗୁରୁବାଣୀ ମନକୁ ସେକ୍ଷଣି ଫେରାଇ ରଖିୁବୁ ଲୟେ ୮।

ବିଷୟବାସନା କ୍ଷଣସ୍ଥାୟୀ ସିନା କ୍ଷଣିକ ଇନ୍ଦ୍ରିୟ ସୁଖ

ଚିର ସତ୍ୟଧର୍ମେ କର୍ତ୍ତବ୍ୟ କରମେ କରିଥିବୁ ଏକା ଲକ୍ଷ୍ୟ ।୯।

ବିପଦେ କାତର ନ ହୋଇ କଠୋର ଦୁଃଖ ସହିଣ ରହିବୁ

ଧଇର୍ଯ୍ୟ ସାହାସ ନ ଛାଡ଼ିଣ ଲେଶ ଧର୍ମପଥେ ଚାଲୁଥିବୁ ୧୦।

ହେଲେ ଶୁଦ୍ଧଚିତ୍ତ ହୁଅନ୍ତି ଭକତ ଭକ୍ତ ହେବା ଅତି କଷ୍ଟ

କଷଟି ପଥରେ କଷି କଷଣରେ ଲୀଳା କରନ୍ତି ଅଚ୍ୟୁତ ।୧୧।

ପରଖିବା ପାଇଁ ଭକ୍ତକୁ କନ୍ଦାଇ ଦୁଃଖ ଯାତନା ଦିଅନ୍ତି

କେତେ ନିନ୍ଦା କଷ୍ଟ ସହିଣ ଭକତ କରଇ ସେ ଦୃଢ଼ ଭକ୍ତି ୧୨।

ପ୍ରାଣ କଣ୍ଠାଗ୍ରତ ହେବାଯାଏ ହଟ ସାଧୁଥାଏ ସେ ହଟିଆ

ତଥାପି ଭକତ ନ ଭୁଲି ସେ ତତ୍ତ୍ୱ ହୋଇଥାଏ ସେ ବେଠିଆ ।୧୩।

ସେ ଦୟାସାଗର ହୁଅନ୍ତି ନିଷ୍ଠୁର ଜୀବର ମଙ୍ଗଳ ପାଇଁ

ଯେତେବେଳେ ଯାହା ମିଳୁଥାଏ ତାହା ତାଙ୍କରି ଦତ୍ତ ଅଟଇ ୧୪।

ମିଳୁ ଅପମାନ ବିପଦ କଷଣ ମିଳୁ ସୁଖ ଭୋଗମାନ

ପ୍ରଭୁଙ୍କର ଦାନ ସକଳ ଭାବିଣ ସାମ୍ୟଭାବେ ସବୁ ଘେନ ୧୫।

ଦୁଃଖେ ବିଚଳିତ ସୁଖେ ଉଲ୍ଲସିତ ନ ହୋଇ ସେମାନେ ଚିନ୍ତି

ପାଇ ନିନ୍ଦା ବାଧା ଯାହାହେଉ ସୁଦ୍ଧା ନ ଛାଡ଼ିବୁ ପ୍ରଭୁ ଭକ୍ତି ।୧୬।

ଛାତ୍ର ଭଲପାଇଁ ଶିକ୍ଷକ ପିଟଇ ହେଜି ପାରେ ଛାତ୍ର ଯେବେ

ସହି ଗାଳି କଷ୍ଟ ପଢ଼େ ଦେଇ ଚିତ୍ତ ଉତ୍ତୀର୍ଣ୍ଣ ହୁଏ ସେ ତେବେ ।୧୭।

ଶିକ୍ଷକର ଛାଟ ଅଟେ ଦୁଃଖକଷ୍ଟ ପାଇବାରେ ଅଛି ଲାଭ

ସହିଲେ ସକଳ ଥାଏଟି ମଙ୍ଗଳ ଏ ଭାବଟି ପ୍ରଭୁ ଭାବ ୧୮।

ସେ ତତ୍ତ୍ୱ ନ ହେଜି ସଂସାରରେ ମଜ୍ଜି ଜୀବ ହୁଏ କଲବଲ

ମାୟା ସଂସାରରୁ ତରିବାକୁ ଗୁରୁ ବାକ୍ୟ ଅଟେ ଶ୍ରେୟସ୍କର ୧୯।

ତାରନ୍ତୁ ମାରନ୍ତୁ ଯାହା ସେ କରନ୍ତୁ ଚିନ୍ତିବୁ ସେ ଇଚ୍ଛା ସାର

ଅସାରରୁ ହଟି ସାର ତତ୍ତ୍ୱେ ମାତି ହସାଉଥିବୁ ଅନ୍ତର ୨୦।

ହେଲେ ସଦାନନ୍ଦ ସେ ସଚ୍ଚିଦାନନ୍ଦ ବ୍ରହ୍ମଭାବ ହୁଏ ଲାଭ

ବିରସ ଅଶାନ୍ତି ନ କରିଣ ମତି ସହୁଣଥିବୁ ସରବ ।୨୧।

ହସ ହସ ମୂହଁ କରି ସବୁ ସହ ସହ ଏଲଟାଇ ଚିନ୍ତ

ସହଜ ଏ ତତ୍ତ୍ୱ ନ ବୁଝି ଅଭକ୍ତ ଖୋଜୁଥାନ୍ତି ବାହ୍ୟେ ତତ୍ତ୍ୱ ୨୨।

ସହ ସହ କହି ସହିଲେଟି ତୁହି ସହ ଓଲଟିବ ସିନା

ଓଲଟେ ପାଲଟେ ବ୍ରହ୍ମ ଖେଳେ ଘଟେ ଏ ସାରଜ୍ଞାନ ଭାବନା ।୨୩।

ଜୀବ ଆତ୍ମା ସଅ ପରମାତ୍ମା ହଅ ଜ୍ଞାନ ଶାସ୍ତ୍ରର ସମ୍ମତ

ବୁଝିଣ ଏ ଜ୍ଞାନ ଯେ କରେ ପାଳନ ସେ ଅଟଇ ଜ୍ଞାନୀ ଭକ୍ତ ।୨୪।

ସହିବା ଶକତି ଦିଅ ବୋଲି ନିତି ପ୍ରଭୁଙ୍କୁ ଜଣାଉ ଥିବୁ

ଯାହା ସେ କରିବେ ଥିବୁ ସେହି ଭାବେ ଶାନ୍ତି ମନ୍ତ୍ର ଉଚ୍ଚାରିବୁ ।୨୫।

ଶଆନ୍ତି ଶଆନ୍ତି ବୋଲି ମନ ମଧ୍ୟେ ସ୍ମରି କର୍ତ୍ତବ୍ୟ କର୍ମ କରିବୁ

ମଧୁଦାସ ବୋଲେ ଅନ୍ତର ଭିତରେ ଗୁରୁ ବାକ୍ୟ ସାଇତିବୁ ।୨୬।

***

ନିଷ୍କାମ ପ୍ରେମାନନ୍ଦ ଭାବ

ଯାହାର ସୁମନ ବ୍ରହ୍ମାନନ୍ଦେ ମଗ୍ନ ସେ ଅଛି ବୈକୁଣ୍ଠ ପୁରେ

ରୋଗକିବା ଆର୍ତ୍ତେଥାଉ ସୁଦ୍ଧା କଷ୍ଟେ ସେ ସୁଖୀ ଭକ୍ତ ସଂସାରେ ।ପଦ।

ଯେ ବିଳାସ ସୁସ୍ଥେ ରହିଣ ଅସତ୍ୟେ ଚିନ୍ତାକରେ ବିରସରେ

ସେହି ଜାଣ ଦୁଃଖେ ପଡ଼ିଥାଏ ନର୍କେ ନାହିଁ ସେ କେଭେଁ ଭଲରେ ।୧।

ମୋର ଦେହ ବୋଲି ମରଣକୁ ଡରି ଯେହୁ ହରିନାମ ଧରେ

ସେ ଦେହାଭିମାନୀ ନୁହଁଇ ସୁଜ୍ଞାନୀ ତାହାକୁ ଶାନ୍ତି ନମିଳେ ।୨।

ହୋଇବାକୁ ସୁଖୀ ଯେ ପ୍ରଭୁଙ୍କୁ ଡାକି ନାମ ଭଜେ କାମନାରେ

ସେ ନୁହେଁଣ ପ୍ରକୃତ ନିଷ୍କାମୀ ଭକତ ଧନ୍ଦି ହୁଏ ସେ କର୍ମରେ ୩।

ଭୋଗି କର୍ମଫଳ ନିଷ୍କାମେ କେବଳ ପ୍ରେମେ ଯେ ପ୍ରଭୁଙ୍କୁ ସ୍ମରେ

ସେହି ଭକ୍ତ ଶ୍ରେଷ୍ଠ ତାଙ୍କସଙ୍ଗେ ନିତ୍ୟ ରହିବାକୁ ମଧୁ ଭାଳେ ।୪।

*

ପ୍ରାର୍ଥନା

ଆହେ ବିଶ୍ୱପତି ଆରାଧ୍ୟ ମୂରତି ମୋ ପ୍ରାର୍ଥନା ଶୁଣିବକି

କିପରି ଶୁଣିବ ହେ ଭକ୍ତବାନ୍ଧବ ଭକ୍ତିରେ ନ ପାରେ ଡ଼ାକି ୧।

ଭକ୍ତ ହୋଇଥିଲେ ତୁମ୍ଭ ନିକଟରେ ଥାଆନ୍ତା ମୋ ଅଧିକାର

ନୁହେଁ ମୁଁ ଭକତ, ମୁଁ ଅତି ପତିତ କେହ୍ନେ ଶୁଣିବ ମୋ ଗୀର ।୨।

ତୁମ୍ଭେ ପରା ପ୍ରଭୁ ପତିତପାବନ ଏହା କି ଦେଲ ପାଶୋରି

ମୋ ବେଳକୁ ଅବା ଭକତପାବନ ବାନ ଉଡ଼ିଲା ତୁମ୍ଭରି ।୩।

ଯେ କରିଲା ଭକ୍ତି ତାଙ୍କୁ ଦିଅ ମୁକ୍ତି ଏ କଥା ନୁହେଁ ବିଚିତ୍ର

ଅଭକ୍ତକୁ ଯେବେ ଉଦ୍ଧାରନ୍ତ ତେବେ ଦୟାଳୁ ସିନା ବୋଲାନ୍ତ ।୪।

ମୋ ପରି ଅଭକ୍ତ ପତିତ କୁତ୍ସିତ ଠକ ଭଣ୍ଡ ନାହିଁ କେହି

ପାପୀ ଅଜାମିଳ ରତ୍ମାକର ଠାରୁ ମୋ ଅଘ ବେଶି ଅଟଇ ୫।

ବଡ଼ ପିତତକୁ ଉଦ୍ଧାରନ୍ତ ଯେବେ ବଡ ଠାକୁର ବୋଲାନ୍ତ

ବଡ଼ କଥା ଗୋଟା ରହିଣ ଯାଆନ୍ତା ବଡ଼ ଦୟାଳୁ ହୁଅନ୍ତ ୬।

ଶୁଣୁଛଟି ପ୍ରଭୁ ମୋର କଥା ସବୁ ଡାକୁଛି ପଡ଼ି କଷଣେ

ସବୁଠାରେ ତୁମ୍ଭେ ରହିଅଛ ଏବେ ନିଶ୍ଚେ ଶୁଣୁଥିବ କର୍ଣ୍ଣେ ୭।

ନ ଶୁଣ ପଛକେ ତୁମ୍ଭେ ସୁଖେ ମୋତେ ଦିଅ ସୁଦ୍ଧା ଦୁଃଖ

ଦୁଃଖ କଷ୍ଟେ ପଡ଼ି ମାୟା ପଙ୍କେ ସଢି ଡ଼ାକୁଥିବି ପ୍ରଭୋ ଡ଼ାକ ।୮।

ଡ଼ାକିବାକୁ ଶକ୍ତି ଦିଅ ବିଶ୍ୱପତି ଏତିକି କରେ କାମନା

ହେ ପରମେଶ୍ୱର ନ ହୁଏ ନିଷ୍ଟୁର ଶୁଣ ମଧୁର ପ୍ରାର୍ଥନା ୯।

***

ପ୍ରାର୍ଥନା

ଭବାବ୍‌ଧି ସ୍ରୋତରେ ଭାସୁଛି ଏ ବେଳେ ଥଳକୂଳ ପାଉ ନ ହିଁ

‘ହୋଇ କର୍ଣ୍ଣଧାର ଆସି ପାରିକର’ ଏହା କହି ନ ପାରଇ ୧।

ମୁଁ ଅତି ପାପିଷ୍ଠ ଅଧମ ଅର୍କ୍ଷିତ ଠକ ମୂର୍ଖ ମ୍ଳେଚ୍ଛ ହୀନ

ମୋଛାର ପାଇଁକି ଆସିବ କାହିଁକି କରି ସ୍ୱରୂପ ଧାରଣ ୨।

ଭକ୍ତଭାବେ ସିନା ଅରୂପରୁ ତୁମ୍ଭେ ସ୍ୱରୂପ କର ଧାରଣ

ଭକ୍ତିଭାବେ ମୂହିଁ ଡାକି ନ ପାରଇ କେହ୍ନେ ହୋଇବ ସଗୁଣ ୩।

ନିରାକାର ହୋଇ ଶଆନ୍ତି ସୁଖେ ରହି ଥାଅ ମହାନିତ୍ୟ ସ୍ଥଳେ

ମୁଁ ଏ ଅଶାନ୍ତିରେ ଡ଼ହଳ ବିକଳେ ଡ଼ାକୁଥାଏ ବାରେବାରେ ୪।

‘ତବ ନାମ ଗୋଟି ଅଟେ ଶାନ୍ତି ମୁକ୍ତି’ ଥିବ ଯେବେ ଏହି ଭାବ

ନାନା ଚିନ୍ତା ସୁଧାରସରେ ମୋ ବାଧା ନିଶ୍ଚେ ଦୂର ହୋଇଯିବ ।୫।

ନାମରେ ଆସକ୍ତି ନାମରେ ପୀରତି ଆଉ କେଉଁଦିନ ହେବ

କେବେ ତବ ନାମ ସ୍ମରଣ କରିଣ ହୃଦ ପୁଲକି ଉଠିବ ୬।

କେବେ ତବ ନାମେ ଅକୃତ୍ରିମ ପ୍ରେମେ ପାଶୋରିବି ମାୟାଘଟ

ନିଶ୍ଚଳକେ କେବେ ତବ ନାମ ଭାବେ ହେବ ବ୍ରହ୍ମାନନ୍ଦ ଜାତ ୭।

ତବ ନାମ ସ୍ମରି ଜଗତରେ ବୁଲି ସାଧିବି ପରତ୍ମାହିତ

ତବ ନାମ ଚିନ୍ତି ଇନ୍ଦ୍ରିୟଙ୍କୁ ନିତି କର୍ମେ କରାଇବି ରତ ୮।

ତବ କର୍ମ ବୋଲି ହୃଦୟରେ ଭାଳି ଚଳିବି ଦାସ୍ୟ ଭାବରେ

ଏହି ଭାବ ନିତି ଦିଅ ବିଶ୍ୱପତି ଜଣାଉଛି ମଧୁବାରେ ୯।

-୦-

ଜଣାଣ

(ଦେଖିଲେ ଦେଖିଲା ପରି –ବୃତ୍ତେ)

ଆଉ କେତେ ଦିନ ଯାଏ ଏ ସଂସାରେ ରଖାଇବ

କେବେ ତବ ଭାବାବ୍‌ଧିରେ ଏ ପରାଣ ଡୁବାଇବ ।।ପଦ।।

ହେ ସର୍ବକରତା ହରି କିମ୍ପା କରୁଛ ଏପରି

କେବେ କରୁଣା ବିତରି ଶ୍ରୀଚରଣ ଦେଖାଇବ ।୧।

ଅମଳ କମଳ ପଦ ଭକତ ହୃଦାୟନନ୍ଦ

କେବେ କରିଣ ଆରାଧ୍ୟ ଚିନ୍ତବି ଭାବି ସେ ଭାବ ୨।

ନିଜେ ନିଜର ଗୁଣରେ ଅନୁଗ୍ରହ ନ କରିଲେ

ପ୍ରଭୁ ପଣିଆକୁ ତିଳେ ଏହାକି ଶୋଭା ହୋଇବ ୩।

ଡ଼ାକେ ହୀନ ମଧୁଦାସ କ୍ଷମାକର ସର୍ବ ଦୋଷ

ଦିଅ ଭକ୍ତି ଭାବ ରସ ନିଷ୍ଠୁର ନ ହୁଅ ଧବ ।୪।

***

ଜଣାଣ

[ରାଗ ଶଙ୍କରାଭରଣ]

କ୍ଷମାଦିଅ ଏହିଥର । କ୍ଷମ ନିଧି ପ୍ରଭୁ ଆଉ ନ ହୁଅ ନିଷ୍ଠୁର ।ପଦ।

ହୃଦୟରେ ଜଳେ ସଦା ଚିନ୍ତାର ଅନଳ

କ୍ଷମା କରି ସିଞ୍ଚିଦିଅ ଅନୁକମ୍ପା ଜଳ ।୧।।

ତବ ବିନା କେ ବୁଝିବ ମୋ ହୃଦ ଖବର

ଅନ୍ୟର୍ଯ୍ୟାମୀ ନାମ ଆଉ ନାହିଁଟି କାହାର ।।୨।।

ତୁମ ସମ ନାହିଁ କେହି ସହିଷ୍ଣୁ ଠାକୁର

ଆଉ କେ ନ ବହେ ହୃଦେ ଶ୍ରୀବତ୍ସ ପୟର ।।୩।।

ତୁମେ ଅଟ ସମଦର୍ଶୀ ପ୍ରଭୁ ନିର୍ବିକାର

ଅପ୍ରାଧୀ ବୋଲିଣ ଘୃଣା ମୋ ପ୍ରତି ନକର ।।୪।।

ପିତତପାବନ ଧ୍ୱଜା ଉଡ଼ଇ ତୁମ୍ଭର

ତେଣୁ ସିନା ମଧୁ ଜଣାଉଛି ଯୋଡ଼ି କର ।।୫।।

***

ଜଣାଣ

(ସବୁଥିରୁ ବଞ୍ଚିତ କରି –ବୃତ୍ତେ)

ଦୀନହୀନ ପାତକୀ ଡାକ କାହିଁକି ହେ ପ୍ରଭୁ କର୍ଣ୍ଣେ ଶୁଣିବ

ଭକ୍ତି ଭାବ ନାହିଁ ଯାହାର ହୃଦରେ

ଡାକୁ କାହିଁ ପାଇଁ ଦୟା କରିବ

ଦୃଢ଼େ ଯେ ଭଜେ ତୁମ ନାମ

ତୁମେ ସିନା ତା ଡାକଶୁଣ

ମାୟା ସଂସାରରେ ମଜ୍ଜିଛି ଯେ ଜନ

ତା ଡାକକୁ କିମ୍ପା କର୍ଣ୍ଣ ଡେରିବ ।୧।

ଧ୍ରୁବ, ପ୍ରହଲାଦ ହରିଣୀ

ଡାକିଥିଲେ ଅଛତ ଶୁଣି

ସେପରି ଭକତି ଭାବ ମୁଁ ନ ଜାଣି

ଜାଣିଛି କେବଳ କୃତ୍ରିମ ଭାବ ।୨।

ଗୋପୀଭାବ ଅତି ଦୁର୍ଲ୍ଲଭ, (ଯାହା) ନ ଜାଣନ୍ତି ସେ ବ୍ରହ୍ମା ଶିବ

ମୁଁ ମୃଢ଼ କିପରି ଜାଣିବି ସେ ଭାବ

ବାମନ କି ନଭ ଛୁଇଁ ପାରିବ ।୩।

ଯେ ତୁମ୍ଭର ଭକ୍ତ ହୋଇବ ସେ ସିନା ତୁମ୍ଭଙ୍କୁ ଭେଟିବ

ଅଭକ୍ତ ନିକଟେ କାହିଁକି ଆସିବ

ନ ଆସି ଆନନ୍ଦେ ଥାଅ ହେ ଧବ ।୪।

କହେ ଅଭକ୍ତ ହୀନ ମଧୁ, ଭକ୍ତର ତୁମ୍ଭେ ସିନା ବନ୍ଧୁ

ମୋର ଛାର ପାଇଁକି ଆହେ କୃପାସିନ୍ଧୁ

ସିନ୍ଧୁରୁ କାହିଁକି ବିନ୍ଦୁଏ ଦେବ

-୦-

ଜଣାଣ

[ଦୀନବନ୍ଧୁ ଏହି ଅଳି -ବତ୍ତେ]

ମହାପ୍ରଭୁ, ଯାହାଇଛା ତାହା କର

ତାରିଲେ ତାରିବ ମାରିଲେ ମାରିବ ଡବ ଇଚ୍ଛା ଅଟେ ସାର

ତୁମ୍ଭରି ଇଚ୍ଛାରୁ ଆସି ତବାତ୍ମାରୁ ଧରିଅଛି କଳେବର

କ୍ରୀଡାର ପିତୁଳି ପ୍ରାୟ ମୋତେ କରି ନଚାଉଛ ନିରନ୍ତର ।।୧।।

ମାନସ ମନ୍ଦିରେ ରହି ଗୁପତରେ ହଟ ସାଧ ବାରମ୍ୱାର

ଦେଖି ତବ ରୀତି ଥିରିଯାଏ ଛାତି ମତି ହୁଅଇ ଅସ୍ଥିର ।।୨।।

ଦୁଃଖ, ସୁଖ, ରୋଗ, ଭୋଗ ଅନୁରାଗ ସବୁ ଅଟେ ତୁମ ଖେଳ

ତୁମ୍ଭ ଇଚ୍ଛା ତୁମ୍ଭେ ଯାହାକର ଏବେ ମୁଁ କିଆଁ ହେବି କାତର ।।୩।।

କି ଉଦ୍ଦେଶ୍ୟେ ମୋତେ ଆଣିଛ ଜଗତେ ତୁମ୍ଭେ ଜାଣ ସେ ଖବର

ତୁମ୍ଭ ଇଛା ସବୁ ଏହା ଭାବୁ ଜୀବନ ଯାଉ ମଧୁର ।।୪।।

*

ଜଣାଣ

(ନନ୍ଦସୁତ ମୋର ଜୀବକା-ବୃତ୍ତେ)

ଯେତେ ଇଛା ଦିଅ କଷଣ, କଷଣକୁ ମଣେ ଅଙ୍ଗ ଭୂଷଣ

ତୁମ ଲାଗି ସିନା ସକଳ ଯାତନା ସହୁଛି ଛାତିକି କରି ପାଷାଣ

ଲୋକନିନ୍ଦା କଟୁ ବଚନ, ଶୁଣିଣ ନ ଶୁଣଇ କାନ

ଦୁଃଖ ଅପମାନ ଭାବି ତୁମ ଦାନ ଆନନ୍ଦରେ କରୁଥାଏ ଗ୍ରହଣ ।୧।

ସଂସାରିକ ସୁଖକୁ ମୁହିଁ, ଦୁଃଖ ବୋଲିଣ ମଣୁଥାଇ

ତବ ଭାବ ଭକ୍ତି ମୋର ସୁଖ ଶାନ୍ତି ସମ୍ପତ୍ତିଟି ତବ ପଦ୍ମଚରଣ ।୨।

ଚାହେଁ ନାହିଁ ଯଶ କୀରତି, ଯାହା ଚାହେଁ ଜାଣ ସେ ରୀତି

ଭାଷେ ମଧୁଦାସ ହେ ପରାଣ ଈଶ ଶରଣ ପଶୁଛି ବହନ ଶୁଣ ।୩।

*

ଜଣାଣ

[ଗଲାଣିତ ଗଲା କଥା - ବୃତ୍ତେ]

ମହାପ୍ରଭୁ, ମାଗୁନାହିଁ ସ୍ୱର୍ଗସୁଖ ।

ନର୍କେ ସୁଦ୍ଧା ପେଲ ମାତ୍ର ଦୟାକର, ଭାବୁଥିବି ତବ ମୁଖ ।

ଲୋଡୁନାହିଁ ମୁକ୍ତି, ଭୋଗ, ଯଶ, କୀର୍ତ୍ତି,

ଛଡ଼ାଇ ନେଉ କେ ଭେକ ।

ଭବାର୍ଣ୍ଣବେ ପଡ଼ି, ଛାଡ଼ୁଥିବି ରଡ଼ି,

ଦିଅ ଦେବ ଯେତେ ଦୁଃଖ

ନରକ ଭିତରେ, ରଖି ନିରନ୍ତରେ,

କର ପଛେ ମାଛି ପୋକ ।

ଦୁଃଖିତ ନହୋଇ, ଭାବୁଥିବି ତହିଁ

ତୁମ୍ଭେ ସରବ ବ୍ୟାପକ ।୧।

ନରକ ଭିତରେ, ରଖି ନିରନ୍ତରେ,

କର ପଛେ ମାଛି ପୋକ ।

ଦୁଃଖିତ ନହୋଇ ,ଭାବୁଥିବି ତହିଁ

ତୁମ୍ଭେ ସରବ ବ୍ୟାପକ ।୨।

ନିନ୍ଦା, ଅପମାନ, କରିଣ ଚନ୍ଦନ,

ବୋଲିବି ସର୍ବାଙ୍ଗ ଯାକ ।

ବିପଦ ସଙ୍ଗରେ ମଇତ୍ର ହୋଇଣ

ଡାକୁଥିବି ତୁମ୍ଭ ଡାକ ୩।

ଛିଇ ଛିଇ କହି, ଅପମାନ ଦେଇ,

ଲୋକ ଟେକୁଥାନ୍ତୁ ନାକ ।

ଧକା, ଖୁନ୍ଦା, ବିଧା ଦିଅନ୍ତୁ ଯେ ସୁଦ୍ଧା,

କହୁଥାନ୍ତୁ ଭଣ୍ଡ ଠକ ୪।

ମଧୁ ଦାସ ଭଣେ, ତୁମ ନାମ ଧନେ,

ଧନୀ ହେବି କି କାଳକ ।

ଆଉ ଅନ୍ୟ ଧନ, ନାହିଁ ପ୍ରୟୋଜନ,

ମନା ହେଲେ ହେଉ ଭିକ ୫।

***

ଜଣାଣ

[ଶ୍ୟାମ ଅଙ୍ଗେ ନେତ୍ର ପଡ଼ିଲା - ବୃତ୍ତେ]

ଏତିକି ମାତ୍ର ମୋର ଜଣାଣ ଶ୍ରୀଛାମୁରେ

ଦିନଯାଉ ତୁମ୍ଭଙ୍କୁ ସ୍ମରିଣ ହେ

ତବ ନବୀନ ଘନ ସୁନ୍ଦର ଶ୍ରୀଚରଣ

ହୃଦେ କରାଇ ଦିଅ ଅଙ୍କନ ହେ ।ପଦ।

ନ ମାଗଇ ସମ୍ପତ୍ତି ନ ମାଗେ ଗତି ମୁକ୍ତି

ଭାବ ଭକତି କର ପ୍ରଦାନ ହେ

ଭିକ୍ଷା ମଗାଅ ସୁଦ୍ଧା ସୁଖକୁ ନାହିଁ ଶ୍ରଦ୍ଧା

ନ ଲୋଡ଼େ ଯଶ କୀର୍ତ୍ତି ସମ୍ମାନ ହେ ।୧।

ଯେତେକ ନିନ୍ଦା କଷ୍ଟ ମିଳୁଅଛି ସନ୍ତତ

ରହିଅଛି ସେ ସବୁ ସହିଣ ହେ

ହେଲେ ହେଉ କଷଣ ଗଲେ ଯାଉ ପରାଣ

ତବ ନାମରେ ଥାଉ ଚେତନ ହେ ।୨।

କି ହେବ ଗଜ ପଦ, ଉଚ୍ଚାସନ ସମ୍ପଦ

କି ହେବ ନାନା ରତ୍ନ ଭୂଷଣ ହେ

ଅମୂଲ୍ୟ ରତ୍ନ ନାମ ହୃଦେ ହାର କରିଣ

ଲମ୍ୱାଇ ଦିଅ ଦୟା ବହିଣ ହେ ।୩।

ମନ୍ତ୍ର ଯନ୍ତ୍ର ତନ୍ତ୍ରରେ ଯୋଗ ସିଦ୍ଧି ପଥରେ

କାହିଁରେ ନ ବଳଇ ଏ ମନ ହେ

ତବପଦ କେବଳ ସର୍ବସିଦ୍ଧି ମୋହର

ପଶଇ ମଧୁଦାସ ଶରଣ ହେ ।୪।

*

ଜଣାଣ

[ମନ ସମଜି ନ ପାରୁକି - ବୃତ୍ତେ]

ଆଉ କିସ ଜଣାଇବି ହେ

କିଛି ନ ପାରୁଛି ଭାବି ପଦ।

ଜଣାନ୍ତି ବା ଯାହା ତୁମେ ଜାଣ ତାହା

ଅଧିକ କିସ କହିବି

କହିଲେ କି ହେବ ଯାହା କରାଇବ

ସେ କଥା ସିନା କରିବି ୧।

ଯେତିକି ଭାବନା ଦେଉଅଛ ସିନା

ସେତିକି ଭାବ ଜାଣିବି

ମୋ ଭାବନାମାନ ସବୁ ଅକାରଣ

ବୃଥା କାହିଁକି ଭାବିବି ୨।

ଅନ୍ୟର୍ଯାମୀ ନାଥ ଅନ୍ତରର ତତ୍ତ୍ୱ

ଅନ୍ତରର ଶୋଭା ଛବି

ଅନ୍ତର ନକର ଅନ୍ତରେ ବିହର

ଅନ୍ତର ଯାଉଛି ଦ୍ରବି ।୩।

ଅନ୍ତ ନ ପାଇଲି ତବ ଭାବ କେଳି

ହେ ଅନନ୍ତ ଭାବ ଲୋଭୀ

ମଧୁ ହୃଦବାସୀ କି ଲେଖାଅ ବସି

ସମଜିବେ ଅନୁଭବୀ ୪।

***

ଜଣା

ଭଗବାନ ଦିଅ ବାରେ ଦରଶନ,

କଲବଲ ହୋଇ ବିକଳେ ଡ଼ାକଇ ନ ହୁଅ ଆଉ ଗୋପନ ।ପଦ।

ତ୍ରିତାପ ଅନଳ ହୋଇମ ପ୍ରବଳ ଜଳଅଛି ନିଶିଦିନ

ଦୟାମୟ ହରି ଢାଳି କୃପାବାରି ଶାନ୍ତି କତର ଏ ଜୀବନ ୧।

ଘୋଟି ଆସେ ଘୋର ଅଜ୍ଞାନ ତିମିର କମ୍ପି ଉଠେ ଅପଘନ

ଉଦୟ ହୋଇଣ ହେ ଜ୍ଞାନ ତପନ ଘୁଞ୍ଚାଅ ମାୟା ଅଜ୍ଞାନ ।୨।

ହେ ପରାଣ ସଖା ଦିଅବାରେ ଦେଖା ଆସ ହେ ମନ ମୋହନ

ଦେଖି ତବ ରୂପ ହଟିବ ସନ୍ତାପ ସାର୍ଥକ ହେବ ନୟନ ୩।

ଲୋଡୁଅଛି ଯାହା ତୁମେ ଜାଣ ତାହା ଆହେ ଅପ୍ରାଧ ଭଞ୍ଜନ

ଅନ୍ତର୍ଯ୍ୟାମୀ ନାଥ ନକରି କପଟ ମଧୃର ଜଣାଣ ଶୁଣ ୪।

***

ଜଣାଣ

ଭଗବାନ ତୁମ୍ଭଙ୍କୁ ଭୁଲି ଯାଉଛି,

ଦୟାକର ହରି ତୁମକୁ ଯେପରି ମନୁ ନ ପାରିବି ମୂର୍ଚ୍ଛି ।ପଦ।

ଆହେ ମାୟାଧର ଭଲ ମାୟା କଲ ବିଚିତ୍ର ଜଗତ ରଚି

ଦେଖି ତବ ମାୟା ମନ ହୁଏ ଯାହା କହିଲେ ହୃଦ ଥରୁଛି ୧।

ମାନସ ମିଳିନ୍ଦ ତବ ପଦ୍ମପାଦ ମକରନ୍ଦ ନ ଚୁମ୍ୱୁଛି

ଅସାର ଜଗତେ ଅଚିର ପଦାର୍ଥେ ଲାଳସା ରସେ ରସୁଛି ।୨।

କି କହିବି ପ୍ରଭୁ ତୁମେ ଜାଣ ସବୁ ଭାବିଣ କାନ୍ଦ ମାଡ଼ୁଛି

ଏ ଚଞ୍ଚଳ ମନ ସ୍ଥିର ନ ହୋଇଣ ଏଣେ ତେଣେ ଧାଉଁଅଛି ୩।

କର ଅନୁଗ୍ରହ ମନ ହେଉ ଥୟ ଶରଣ ପଶି ଡାକୁଛି

ଡାକେ ମଧୁଦାସ ନ କରି ନିରାଶ କୃପାବାରି ଦିଅ ସିଞ୍ଚି ୪।

*

ଜଣାଣ

[ଚକା ନୟନକୁ ପତିତ - ବୃତ୍ତେ]

କେଉଁକଥା ପ୍ରଭୁ ତୁମେ ନ ଜାଣ,

କରିବି ତୁମ ପାଶେ କି ଜଣାଣ

କହୁ କହୁ ଚାଲି ଯାଉଛି ଦିନ,

କଲି ନାହିଁ ତବ ପଦ ଦର୍ଶନ ହେ

କି ହେବ ରହି ଏ ପ୍ରାଣ ହେ

କୀର୍ତ୍ତି, ଯଶ, ସୁଖ, ଧନ, ଜନ, ଟେକ

ସବୁ ସିନା ଅକାରଣ ହେ ।୧।

କିମ୍ପା ଜନ୍ମ ଦେଲ ହେ ବିଶ୍ୱପତି,

କଲି ନାହିଁ ତବ ସେବା ଭକତି

କହିଲା ବେଳକୁ ଥରଇ ଛାତି

କଲିଜା ବିଦାରି ହୁଅଇ ନିତି ହେ,

କାନ୍ଦ ମାଡୁଅଛି ଚିନ୍ତି ହେ ।

କେତେ ଦିନ ଯାଏ ଭବମାୟା ମୋହେ

ପରଖୁ ଥିବ ମୋ ମତି ହେ ।୨।

କରିଲେ ଗୁହାରି ନ ଶୁଣି ହରି,

କିମ୍ପା ଭବଜଳେ ଦେଉଛ ପେଲି

କପଟିଆ ଠକ ଠାକୁର ବୋଲି

କାହିଁକି ତୁମକୁ ନ ଦେବି ଗାଳି ହେ,

କରାଅ ତୁମେ ଏପରି ହେ ।

କରି କରାଇଣ ହୋଇଲେ ଦାରୁଣ

କେ ଶୁଣିବ ମୋ ଗୁହାରି ହେ ।୩।

କରୁଣା ଯଦ୍ୟପି କରିବ ଉଣା,

କେ ଆଉ ଫେଡିବ ହୃଦବେଦନା

କୃପାଳୁ ହୋଇଣ ଦେଲେ ଯାତନା

କଲବଲ ହୋଇ ମରିବି ସିନା ହେ,

କ୍ଳେଶକୁ ନାହିଁଣ ଶୋଚନା ହେ

କହେ ମଧୁଦାସ ତୁମ ଭକ୍ତି ଭାବ

ରସରେ ଥାଉ ଭାବନା ହେ ।୪।

***

ଜଣାଣ

(ନାଟୁଆଙ୍କ ଗୁରୁ)

ନାଟୁଆଙ୍କ ଗୁରୁ ନଟ ନାଗର,

ନବରଙ୍ଗ ଯାକ ସବୁ ତୁମ୍ଭର

ନାରୀ ତୁମେ, ତୁମେ ପୁରୁଷ ବର ।

ନାନା ରୂପ ଧରି ଲୀଳା ରଚିଲ ହେ,

ନୀଳାଚଳେ କଲ ଘର ହେ,

ନ ଜାଣିଲା ସମ ମଉନ ହୋଇଣ

ବସିଛ କିମ୍ପା ଠାକୁର ହେ ୧।

ନ ଜାଣ ପରା କପଟ କୌଶଳ,

ନାରୀ ରୂପେ ବୈଲୋଚନ ନାଶିଲ

ନବ ନାଗରୀ ମୋହିନୀ ହୋଇଲା,

ନେଇ ସୁଧା ସୁରା ସୁର ତୋଷିଲ ହେ,

ନାନା ରୂପ ହୋଇ ଖେଳ ହେ,

ନାଗ, ସୁର, ନର, ବ୍ରହ୍ମା, ଇନ୍ଦ୍ର, ହର

କେହି ନ କଲେ ଗୋଚର ହେ

ନାହିଁ ସଂସାରେ ଆୟତ୍ତ କାହାରି,

ନଟ କୁଟ ବୁଦ୍ଧି ସବୁ ତୁମ୍ଭରି

ନଚାଉଛ ତ୍ରିଗୁଣ ରଜ୍ଜୁ ଧରି

ନାଚି ନାଚି ଜୀବ ଗଲେ ବାହାରି ହେ,

ନୃତ୍ୟରୁ ପାଅ କି ଲାଭ ହେ,

ନର୍କ ସ୍ୱର୍ଗେ ଖେଳି ଦୁଃଖେ ସୁଖେ ମିଳି

ଲଗାଇଛ ଆଚ୍ଛା ଭାବ ହେ ୩।

ନିଜ ସ୍ୱରୂପ ଲୁଚାଇ ଭିତରେ,

ନାଟ କର ବିଶ୍ୱ ରଙ୍ଗମଞ୍ଚରେ

ନ ଚିହ୍ନେ କେହି ତୁମ୍ଭେ ନେତ୍ରରେ,

ନାମ ଗୁପ୍ତ ରଖି ଖେଳ କୌଶଳେ ହେ,

ନ ଭୁଲାଅ ମଧୁ ବୋଲେ ହେ,

ନାଚି ନଚାଇଣ ନିଅ ପଛେ ପ୍ରାଣ

ମନ ରହୁ ତବଠାରେ ହେ ୪।

-୦-

ଜଣାଣ

[ସୀମତାଙ୍କ ମୁଖକୁ ଚାହିଁ – ବୃତ୍ତେ]

ଆହେ ବିପଦ ଭଞ୍ଜନ ପ୍ରଭୁ ଭଗବରନ

ଏ ବିପଦ ବେଳେ ବାରେ କଣ୍ଣ ଡେରି ଶୁଣ । ନାଗୟଣ ହେ

ସଙ୍କଟରୁ କର ପରିତ୍ରାଣ ହେ ୧।

ଯୁଗେ ଯୁଗେ ସାଧୁ ହିତେ ଅବତାର ହୁଅ

ସୁଜନ ପାଳିଣ ଅସାଧୁଙ୍କୁ କର କ୍ଷୟ । ଦୟାମୟ ହେ

ସତ୍ୟ ଧର୍ମର କରାଅ ଜୟ ହେ ୨।

ଦେଖୁ ଦେଖୁ ଘୋଟି ଆସେ ବିପଦ ଅନ୍ଧାର

ଘୋର ଅନ୍ୟାୟ କଲେଣି ମ୍ଲେଚ୍ଛ ଦୁଷ୍ଟ ନର । ବିଶ୍ୱେଶ୍ୱର ହେ

ଏତେବେଳେ ନ ହୁଅ ନିଷ୍ଠୁର ହେ ୩।

ଅଶ୍ୱପୃଷ୍ଠେ ବିଜେକର କରବାଳ ଧରି

ଅଧର୍ମୀ ମ୍ଲେଚ୍ଛଗଣଙ୍କ ଦର୍ପ ଦିଅ ଚୁରି । ଦଇତାରି ହେ

ମଧୁଦାସ କରଇ ଗୁହାରି ହେ ୪।

 

ଜଣାଣ

(ଦୀନବନ୍ଧୁ ଦଇତାରି –ବୃତ୍ତେ)

ଜଗବନ୍ଧୁ ଜଗନ୍ନାଥ ଜଣାଉଛି ଯୋଡ଼ି ହାତ

ଯେତେ କଷ୍ଟ ଦେବ ଦିଅ ତବ ପାଦେ ରହୁ ଚିତ୍ତ ।ପଦ।

ଯୁଗଳ ଚରଣ ଚିନ୍ତି ଯାଉ ଚାଲି ଦିନ ଗତି

ଜଞ୍ଜାଳ ଜାଲରୁ ହଟି ଭଜୁଥିବି ତବ ତତ୍ତ୍ଵ ।୧।

ଯେ ଯାହା କହିବ କହୁ ଯାହା ହୋଇବାର ହେଉ

ଯତ୍ନେ ସହି ସବୁ ଦାଉ ସେବୁଥିବି ସାଧୁ ସନ୍ଥ ।୨।

ଜଗତେ ସର୍ବ ଘଟରେ ଜ୍ୟୋତି ରୂପେ ଖେଳ ଠୂଳେ

ଜାଣି ଏହି ତତ୍ତ୍ଵ ବାରେ ସାଧିବି ଜଗତ ହିତ ।୩।

ଜାଳି ଦିଅ ମୋ ଦୁରିତ ଜୀବନ ହେଉ ପବିତ୍ର

ଜଣାଏ ମଧୁ ଅର୍କ୍ଷିତ ନ ହୁଅ ହେଉ କୁଣ୍ଠିତ ।୪।

***

ଜଣାଣ

( ରାଗ ଶଙ୍କରାଭରଣ )

ତୁମ୍ଭ ସମ ବଳିୟାର ପ୍ରଭୁ ଥାଉ ଥାଉ

ଦିନକୁ ଦିନ ପ୍ରବଳ ହୁଏ ରିପୁ ଦାଉ

ଦୁଃଖ ବଢ଼େ ଚାହୁଁ ଚାହୁଁ

ଘୋର ନିର୍ଯ୍ୟାତନା ସହି ହେଉ ନାହିଁ ଆଉ

ପୃଥିବୀରେ ବ୍ୟାପିଯାଏ ଦୁର୍ନୀତି ଦୁର୍ଗତି

ପାପଭାଗ ନ ସହିଣ ଥରେ ବସୁମତୀ

ନ ଶୁଣୁଛ ଡ଼େରି ଶ୍ରୁତି

ଶୟନ କଲକି ନିଦା ପଥର ପାଲଟି ।୨।

କେତେ ନିନ୍ଦା କଷ୍ଟ ଲଭନ୍ତି ତୁମ୍ଭର

ନ ଜାଣିକି ଆହେ ଜାଣି ଚତୁରା ଠାକୁର

କିମ୍ପା ହେଉଛ ନିଷ୍ଠୁର

ଭକ୍ତବନ୍ଧୁ ନାମ ଗୋଟି ହେବକି ବିଫଳ ।୩।

ଭକ୍ତଙ୍କ ବିକଳ ଡ଼ାକ କର୍ଣ୍ଣେ ନ ଶୁଣୁଛ

ପଣ୍ଡା ପଢ଼ିହାରୀ ଘେନି କି ଲୀଳା କରୁଛ

ତୂମ୍ଭେ ଥାଇ ନୀଳାଚଳେ

ନିର୍ଦୋଷୀ ଭକ୍ତଙ୍କୁ ମାରୁଛନ୍ତି ଦୂଷ୍ଟନରେ ।୪।

ଷାଠିଏ ପଉଟି ଭୋଗ ଖାଇ ହେଲ ଶାନ୍ତି

ଏଣେ ଦୀନ ଭକ୍ତେ ଉପାସରେ ପଡ଼ିଛନ୍ତି ଦୀନବନ୍ଧୁ ନାମ ବହି

ଦୀନ ଭକତଙ୍କୁ କିମ୍ପା ମାରୁଛ ଗଡ଼ାଇ ୫।

ପତିତପାବନ ବାନା କାହିଁକି ଉଡ଼ାଅ

ପତିତ ଦୁଃଖୀ ଲୋକଙ୍କୁ ଦୁଃଖରେ ଗଡ଼ାଅ ଗଢି ଆନନ୍ଦ ବଜାର

ଗଢ଼ି ଶୁଣୁଛ କିପରି ପତିତ ଜନର ।୬।

ଜଗନ୍ନାଥ ହେ ତୁମ୍ଭର ଆଚ୍ଛା ବୁଝାମଣା

କେ ଖାଉଛି ରସଗୋଲା କେ ନପାଏ ଚଣା ଉଣା କାହିଁକି କରୁଣା

ମଧୁ କହେ ତବ ଲୀଳା ଦେଖି ହେଲି ବଣା ।୭।

**

ଜଣାଣ

[ରାଧାଧରି ସଖୀ କର -ବୃତ୍ତେ]

ଅନନ୍ତ ଅବ୍ୟକ୍ତ ବ୍ରହ୍ମ, ଅନୁକମ୍ପା କର ସୁନ୍ଦର ଶ୍ୟାମ ହେ

ଅତି ଆରତେ ଡାକେ ଅଧମ ଗୋବିନ୍ଦ ହେ ୧।

ଅଜ୍ଞାନତମେ ପଡ଼ିଣ, ଅବିରତ ହୃଦ ଲଭେ କଷଣ ହେ

ଅଛ କେଣେ ମୋର ଡାକ ଶୁଣ ଗୋବିନ୍ଦ ହେ ୨।

ଅନାଦି ବ୍ରହ୍ମ ମୂରତି, ଅନୁସରି କରୁଅଛି ବିନତି ହେ

ଅକୃପା ନ ହୁଅ ମୋର ପ୍ରତି ଗୋବିନ୍ଦ ହେ ୩।

ଅଣମଣ୍ଡଳ ଅରୂପ, ଅବତୀର୍ଣ୍ଣ ହୋଇ ଧର ସ୍ୱରୂପ ହେ

ଅଭୟ ପାଦ ନ କର ଗୋପ୍ୟ ଗୋବିନ୍ଦ ହେ ।୪।

ଅପ୍ରାଧ ଭଞ୍ଜନ ଈଶ, ଅପ୍ରାଧ କ୍ଷମା କରି ହୁଅ ଦୃଶ୍ୟ ହେ

ଅଧମକୁ ନକର ନିରାଶ ଗୋବିନ୍ଦ ହେ ।୫।

ଅପୂରୁବ ସୁଶୋଭନ, ଅନଙ୍ଗ ମୋହନ ନବୀନ ଘନ ହେ

ଅନ୍ତର ବ୍ୟଥା ନାଶ ବହନ ଗୋବିନ୍ଦ ହେ ୬।

ଅହିକାଳର ଶବଦ, ଅଧୀର କରାଇ ଦେଇଛି ହୃଦ ହେ

ଅହିଦଳା ବିନାଶ ବିପଦ ଗୋବିନ୍ଦ ହେ ।୭।

ଅନାଥର ତୁମ୍ଭେ ନାଥ, ଅଗତିର ରାତି ଦାତା ତୁମ୍ଭେତ ହେ

ଅବନୀ ଶୋଭା ନାଶ ଦୁରିତ ଗୋବିନ୍ଦ ହେ ୮।

ଅଧରେ ବଂଶୀ ବଜାଇ, ଅଛ କେଉଁଠାରେ ଗୁପତ ହୋଇ ହେ

ଅନାଁଇ କୃପା ନୟନ ଫେଇ ଗୋବିନ୍ଦ ହେ ୯।

ଅଘହାରୀ ନାରାୟଣ, ଅପ୍ରାକୃତ ପ୍ରେମ ରୂପ ଧାରଣ ହେ

ଅକ୍ଷେ ଦେଖାଅ ତବ ଚରଣ ଗୋବିନ୍ଦ ହେ ୧୦।

ଅନ୍ତର୍ଯ୍ୟାମୀ ତବ ନାମ, ଅନ୍ତର ବ୍ୟଥାତ ସକଳ ଜାଣ ହେ

ଅଳି ଏତିକି ମଧୁର ଶୁଣ ଗୋବିନ୍ଦ ହେ ।୧୧।

***

ଜଣାଣ

ଶ୍ୟାମ ସୁନ୍ଦର ହେ ମନ୍ଦର ଧର

ଭୀମ ଭବାବ୍‌ଧିରୁ କର ଉଦ୍ଧାର

ପ୍ରେମ ଭକ୍ତି ଜ୍ଞାନ ନାହିଁ ମୋହର

ନାମ ଧରି ଡାକୁ ଅଛି କେବଳ

ଯମ ଭୟ ଚିନ୍ତି

ଦମ ଦମ ହୋଇ ଥରଇ ଛାତି ୧।

ଶମ ଦମ ତିତିକ୍ଷା ନ ପାଳିଣ

ଭ୍ରମ ହେଉଅଛି ସର୍ବଦା ମନ

କାମ ମୋହନ ହେ କୃପା କରିଣ

କାମ କ୍ରୋଧାଦି ଦିଅ ହଟାଇଣ

ସୁମନ ଦେଇଣ

ଶମନ ଭୟରୁ ନିଅ ତାରିଣ ।୨।

କମଳା ବିଳାସ, କଂସ ଅଇରି

ଯାମଳା ଅର୍ଜ୍ଜୁନ ଭଞ୍ଜନ କାରୀ

ଧାମ ବୃନ୍ଦବନିଆ ବନମାଳୀ

ମୋ ମନ ମନ୍ଦିରେ ସଦା ବିହରୀ

କ୍ଷମ ସର୍ବ ଦୋଷ

ନମଇ ଦୀନ ହୀନ ମଧୁଦାସ ।୩।

***

ବଡ଼ ଠାକୁର ଜଣାଣ

[ବଡ଼ ମାୟାବି ଜୀବ ନୁହେଁ - ବୃତ୍ତେ]

ଜଡ଼ ହୋଇ ନ ବସ ବଡ ଠାକୁର

ମୂଢ଼ ଐରିଙ୍କ ଦର୍ପ ହେଲା ପ୍ରବଳ ।ପଦ।

ବଢ଼ଇ ବିପଦ ଦୁଃଖ ବେଳକୁ ବେଳ

ପୀଡ଼ଇ କଳି ରାକ୍ଷସ ହୋଇ ନିଷ୍ଠୁର

ଧାଡ଼ି ଦେଇ ନୃଶଂସ ମାଡ଼ି ଆସନ୍ତି ଦେଶ

ଚଢ଼ିଣ ବେଗେ ଅଶ୍ୱ ରଡ଼ି ଦିଅ ହେ ଈଶ

ଲଢି ଶତୃଗଣଙ୍କୁ ସଂହାର ।୧।

ମାଡ଼, ଦୁଃଖ, ନିନ୍ଦା, ବାଧା ସବୁ ସହିଣ

ଦୃଢ଼ କରିଛନ୍ତି ଭକ୍ତେ ତବ ତରଣ

ଗଢ଼ ପଣ ନ ବହ ଆଡ଼ ନେତ୍ରରେ ଚାହିଁ

ଛାଡ଼ ଦାରୁ ବିଗ୍ରହ ଗୋଡ଼ ହାତ ଲମ୍ୱାଅ

କାଢ଼ ସେ ବୀରପଣ ଏଥର ।୨।

ବୁଡ଼ଇ ଭାରତମାତା ଦୁଃଖ ସାଗରେ

ଗଡ଼ଇ ନେତ୍ରୁ ଲୋଡକ ଧାର ଏ ବେଳେ

ପଡଇ କଷ୍ଟ ଘୋର ପୋଡ଼ଇ ହୃଦ ଆଳ

ବେଢ଼ଇ କଳିକାଳ ତଡ଼ ତାକୁ ଚଞ୍ଚଳ

ଯୋଡ଼ଇ ମଧୁ କର ଯୁଗଳ ।୩।

***

ବଡ଼ ଠାକୁର ଜଣାଣ

[ବଡ଼ ମାୟାବି ଜୀବ ନୁହେଁ - ବୃତ୍ତେ]

ଜଡ଼ ହୋଇ ନ ବସ ବଡ ଠାକୁର

ମୂଢ଼ ଐରିଙ୍କ ଦର୍ପ ହେଲା ପ୍ରବଳ ପଦ।

ବଢ଼ଇ ବିପଦ ଦୁଃଖ ବେଳକୁ ବେଳ

ପୀଡ଼ଇ କଳି ରାକ୍ଷସ ହୋଇ ନିଷ୍ଟୁର

ଧାଡ଼ି ଦେଇ ନୃଶଂସ ମାଡ଼ି ଆସନ୍ତି ଦେଶ

ଚଢ଼ିଣ ବେଗେ ଅଶ୍ୱ ରଡ଼ି ଦିଅ ହେ ଈଶ

ଲଢ଼ି ଶତୃଗଣଙ୍କୁ ସଂହାର ୧।

ମାଡ଼, ଦୁଃଖ, ନିନ୍ଦା, ବାଧା ସବୁ ସହିଣ

ଦୃଢ଼ କରିଛନ୍ତି ଭକ୍ତେ ତବ ଚରଣ

ଗଢ଼ ପଣ ନ ବହ ଆଡ଼ ନେତ୍ରରେ ଚାହଁ

ଛଡ଼ ଦାରୁ ବିଗ୍ରହ ଗୋଡ଼ ହାତ ଲମ୍ବାଅ

କାଢ଼ ସେ ବୀରପଣ ଏଥର

ବୁଡ଼ଇ ଭାରତମାତା ଦୁଃଖ ସାଗରେ

ଗଡ଼ଇ ନେତ୍ରୁ ଲୋତକ ଧାର ଏ ବେଳେ

ପଡଇ କଷ୍ଟ ଘୋର ପୋଡ଼ଇ ହୃଦ ଆଳ

ବେଢ଼ଇ କଳିକାଳ ତଡ଼ ତାକୁ ଚଞ୍ଚଳ

ଯୋଡ଼ଇ ମଧୁ କର ଯୁଗଳ ୩।

***

ଣାଣ

ତୁମ ପାଇଁ ପ୍ରଭୁ ସବୁ ସହୁଛି ସିନା

ତେବେ କିମ୍ପା ଆଉ ଏତେ କର ଛଳନା ପଦ ।

ତର ତର ହୁଏ ମତି ଥର ଥର ଥରେ ଛାତି

ତପ୍ତ ପ୍ରାଣେ ପୁଣି ଦେଲ ଦୁଃଖ ଯାତନା ୧।

ତବ ଲୀଳା ଝୁରି ଝୁରି ତନୁ ହେଲା ଏତେ ସରି

ତଥାପି ବୁଝିଲ ନାହିଁ ମନ ଭବନା ୨।

ତ୍ରୁଟି ଅଛି ଯେବେ ମୋର ତଣ୍ଟି ଚିପି ବେଗେ ମାର

ତରିବା ପାଇଁ ମଧୁର ନାହିଁ କାମନା ୩।

-୦-

ଜଗନ୍ନାଥ ଜଣାଣ

ଜଗନ୍ନାଥ ହେ, ତୁମେ ଜାଣି ଚତୁରା

ସବୁ ଜାଣି ଶୁଣି କାହିଁକି କେଜାଣି

ବସିଛ ହୋଇଣ ନିପଟି ଓଲା ।ପଦ।

ହଲ ଚଲ ତୁମ୍ଭେ ନ ହୋଇଣ ଏବେ

ବଲ ବଲ ଚାହିଁ କର କି ଲୀଳା

କଲ ବଲ କରି ଭକ୍ତଙ୍କୁ କିପରି

ବାରମ୍ୱାର ଦିଅ କଷଣ ଭଗ ।୧।

ଷାଠିଏ ପଉଟି ଅନ୍ନ ଖାଅ ନିତି

ଭୋକ ନ ସମ୍ଭାଳ ଭୋକ ବିକଳା

ଦେଶେ କେତେ ନର ହୋଇ ହରବର

ଭୋକ ଉପାସରେ ଡାକନ୍ତି ପରା ୨।

*

ଜଣାଣ

ସହି ହେଉ ନାହିଁ ଭବ ଯନ୍ତ୍ରଣା ହେଲା ପ୍ରବଳ

ସହ୍ୟ ଶକ୍ତି ଦିଅ ପ୍ରଭୋ କରୁଣା ଉଣା ନ କର ।ପଦ।।

ସହିଷ୍ଣୁ ଧୈର୍ଯ୍ୟ ସାହାସ, ସଦ୍‌ଗୁଣ ଦିଅ ହେ ଈଶ

ସହିଣ ଦୁଃଖ ପରାସ ଚିନ୍ତିବି ତବ ପୟର ।।୧।।

ସକଳ ହେଲାତ ନଷ୍ଟ, ସାଧୁଛ କାହିଁକି ହଟ

ସଦା ହୁଏ ଛଟ ପଟ କିମ୍ପାଇଁ ହୁଅ ନିଷ୍ଠୁର ।।୨।।

ସାଧୁଜନ ବନ୍ଧୁ ହରି, ଶରଣ ଘେନ ମୋହରି

ସତେ ତବ ଚିନ୍ତା କରି ଜୀବନ ଯିବ ମଧୁର ।।୩।।

***

ଜଣାଣ

(ନନ୍ଦସୁତ ମୋର ଜୀବିକା – ବୃତ୍ତେ)

ଦାରୁଭୂତ ମୁରତି ହୋଇ

ଦେଉଳେ ପ୍ରଭୁ ବସିଛ କିମ୍ପାଇଁ

ଦାରୁଣ ବିପତ୍ତି ବେଳେ ବେଗେ ଉଠି

ବାରହାତ ଖଣ୍ଡା ଧର ଗୋସାଇଁ ।।ପଦ।।

କରୁ ପାଣ୍ଡବ ଯୁଦ୍ଧ ବେଳେ

ଭୀରୁ ହୋଇ ନ ଥିଲ ତିଳେ

ପୂରୁବ କୌଶଳ ରଚିଣ ଏ ବେଳେ

ଭକତଙ୍କ ଦୁଃଖ ଦିଅ ହଟାଇ ।।୧।।

ଡରୁ ଡରୁ ନ ସରେ ଦିନ

ବେଳୁଁ ବେଳ ବଢ଼େ କଷଣ

ଦାରୁ ରୂପ ତେଜି କଳ୍କି ରୂପ ସାଜି

ମ୍ଳେଚ୍ଛ ନାଶି ଉଶ୍ୱାସ କର ମହୀ ।୨।।

ଦୁରୁଜନେ ଦୁଃଖ ଦିଅନ୍ତି

ଦୁଲୁ ଦୁଲୁ କମ୍ପଇ ପୃଥୀ

ଦୁରୁ ଡାକେ ମଧୁ ହେ କରୁଣା ସିନ୍ଧୁ

ଦିଅ ବେଗେ କୃପା ଦୃଷ୍ଟିରେ ଚାହିଁ ।୩।।

***

ଜଣାଣ

[ଦୀନବନ୍ଧୁ, ଏହି ଅଳି ଶ୍ରୀଛାମୁରେ - ବୃତ୍ତେ]

ଦୀନବନ୍ଧୁ, ଦିନ ତ ଯାଉଛି ଚାଲି ।

ଦିନେ ହେଲେ ତୋର ପ୍ରେମେ ହୋଇ ଭୋଳ

ଚିତ୍ତେ ଚିନ୍ତି ନ ପାରିଲି ।ପଦ।।

ଦେଖି ଏ ବିଚିତ୍ର ମାୟାର ଜଗତ

ତୋ କଥା ପାଶୋରି ଦେଲି

ଦୁର୍ଲ୍ଲଭ ଜନମ ହେଲା ଅକାରଣ

ବୃଥାରେ ବେଳ ସାରିଲି ।୧।।

ଦୟାମୟ ତୁହି ତୋ ଦୟାରୁ ମୂହିଁ

ଅଛି ସିନା ଦେହ ଧରି

ଦମ୍ଭ ପଣ ବହି ତୋ ପଦ ନ ଧ୍ୟାଇ

ଦୁନିଆଁ ରେ ଭୁଲିଗଲି ।୨।।

ଦୁଃଖ ଯାତନାରେ ପଡ଼ିଥିଲା ବେଳେ

ମନେ ପଡ଼ ଆହେ ହରି

ଦାସ ମଧୁ ବୋଲେ ଦୁଃଖ ଦେଇ ବାରେ

ପରାଣ ନିଅ ଓଟାରି ।୩।।

*

ଜଣାଣ

[କହୁଛନ୍ତି ଗୋପୀ ଗୋବିନ୍ଦଙ୍କୁ - ବୃତ୍ତେ]

ଦୁଃଖ ସରିତେ ଯାଉଛି ଭାସି,

ଡାକ ଶୁଣ ଆହେ ବ୍ରହ୍ମରାଶି

ତକ୍ଷକ କାଳର ମୁଖରୁ ଚଞ୍ଚଳ

ରକ୍ଷାକର ଏ ବେଳରେ ଆଶି ହେ, ଗୋବିନ୍ଦ ।୧।।

ଲକ୍ଷ ଯୋଜନେ ଗଜ ଡାକିଲା,

ତକ୍ଷଣେ ତାହାର ଦୁଃଖ ଗଲା

ଚକ୍ରକୁ ପେଶିଲ ନକ୍ର ବିନାଶିଲ

ସୁଖ ଆନନ୍ଦ ଗଜ ଭୋଗିଲାହେ, ଗୋବିନ୍ଦ ।୨।।

ବନେ ଡାକିଣ ଥିଲା ମୃଗୁଣୀ,

କର୍ଣ୍ଣେ ତା’ ଡ଼ାକ ତ ଥିଲ ଶୁଣି

କେହ୍ନେ ମୋର ବାଣୀ ନ ପାରୁଛ ଶୁଣି

ହୀନେ ନିର୍ଦ୍ଦୟ କାହିଁକି ପୁଣି ହେ, ଗୋବିନ୍ଦ ।।୩।।

ଆଉ ନିଷ୍ଠୁର ନ ହୁଅ ସାଇଁ,

ବହୁ ଆଶା କରିଣ ଡାକଇ

ଚାହୁଁ ଚହୁଁ କାଳ ହୋଇ ଭୟଙ୍କର

ଧାଉଁ ଅଛଇ ଗ୍ରାସିବା ପାଇଁ ହେ, ଗୋବିନ୍ଦ ।୪।।

ତୁମ୍ଭ ବିନା ଆହେ ବିଶ୍ୱ ସାଇଁ,

ଭବ ମଧ୍ୟେ କେ ରଖନ୍ତା ନାହିଁ

ଗର୍ବ ଗଞ୍ଜନିଆ ଭାବ ବିନୋଦିଆ

ଦୟାକର ଦୟାଳୁ ଗୋସାଇଁ ହେ, ଗୋବିନ୍ଦ ।୫।।

ଦୟାମୟ ପ୍ରଭୁ ହୋଇ ତୁମ୍ଭେ,

ମାୟାକରି ନ ଶୁଣିବ ଯେବେ

ସାହା କେ ନ ହେବ ଗହା ନ ମିଳିବ

କାୟା ରହି ନ ପାରିବ ଲବେ ହେ, ଗୋବିନ୍ଦ ।।୬।।

ଦିନୁଁ ଦିନ ମାୟା ନଦୀ ବଢି,

ମନୁ ଭକ୍ତି ଭାବ ଯାଏ ଛାଡ଼ି

ତନୁ କ୍ଷୀଣ ହୋଇ ମନ ଭଗମଇଁ

ଅନୁସରି ଡାକେ ପାଦେ ପଢ଼ି ହେ, ଗୋବିନ୍ଦ ।।୭।।

ଧ୍ୟାନ କରିବାକୁ ବସେ ଯଦି,

ମନ ସେ ବେଳେ ହୁଅଇ ବାଦି

ବିଘ୍ନ ବାଧା କେତେ ପ୍ରବେଶିଣ ଚିତ୍ତେ

ଶୂନ୍ୟ ହୋଇଯାଏ ଜ୍ଞାନ ବୁଦ୍ଧି ହେ, ଗୋବିନ୍ଦ ।୮।।

ସିଦ୍ଧି ଦାତା ହେ ସର୍ବ କରତା,

ଆଦି ଅନାଦି ଜଗତ ପିତା

ମୁଦିଲକି ଶ୍ରୁତି ଦେଖି ମୋ ବିପତ୍ତି

କିମ୍ପା ନଶୁଣୁଛ ମୋର କଥା ହେ, ଗୋବିନ୍ଦ ।।୯।।

ତାରିଅଛ ପାପୀ ଅଜାମ୍ୱିଳ,

ହରି ମୋତେ କିମ୍ପା ଘୃଣାକର

ଧରି ତବ ନାମ କେବେ ପାପୀରାଣ

ତରିଅଛନ୍ତି ଭବସାଗର ହେ, ଗୋବିନ୍ଦ ।।୧୦।।

ଯେବେ ମୁଁ ମହାଦୋଷୀ ଅଟଇ,

ତୁମ୍ଭେ ମହା କ୍ଷମାକୁ ଗୋସାଇଁ

ଲବେ ଦୟା ବହି ଭାବରେ ନ ଚାହିଁ

ଏବେ ନିଷ୍ଠୁର ହୁଅ କିମ୍ପାଇଁ ହେ, ଗୋବିନ୍ଦ ।୧୧।।

ଭବେ ପଠାଇଥିଲ କିପାଇଁ,

ଲବେ ମାତ୍ର ଦୟା କଲ ନାହିଁ

ଲୋଭେ ପଡ଼ି ସିନା ଲଭଇ ଯାତନା

ଭାବେ ନାମ ଭଜି ନ ପାରଇ ହେ, ଗୋବିନ୍ଦ ।।୧୨।।

ବଡ଼ ବିପଦ ବେଳ ପଡ଼ିଲା,

ଝଡ଼ କାମରେ ଦୁଃଖ ବଢିଲା

ଜଡ଼ ହୃଦ ମାୟା ଜବରେ ବୁଡ଼ିଲା

ଗୁଢ଼ଲୀଳା ତ ବୁଝି ନ ହେଲା ହେ, ଗୋବିନ୍ଦ ।।୧୩।।

ଛାତି ଥରୁଅଛି ଥରଥର,

ମତି ହେଉଛ ସଦା ଅସ୍ଥିର

ଭକ୍ତି ହୀନ ହୋଇ ଅତି ଦୁଃଖେ ରହି

ଡ଼ାକୁଅଛି ଥରେ ଶୁଣ ଗୀର ହେ, ଗୋବିନ୍ଦ ।୧୪।।

ତବ ଦୟା ଯେବେ ନ ହୋଇବ,

ଭାବ ଭକ୍ତି କେହ୍ନେ ହୃଦେ ହେବ

ଦେବ ମୁନି ଯତି ଭବେ ଭ୍ରମିଛନ୍ତି

ମୁଁ ତ ଅଟେ ସାମାନ୍ୟ ମାନବ ହେ, ଗୋବିନ୍ଦ ।।୧୫।।

ଇଚ୍ଛାମୟ ହେ ବ୍ରହ୍ମାଣ୍ଡ ସାଇଁ,

ବାଞ୍ଛା ମୋର ଆଉ କିଛି ନାହିଁ

ସ୍ୱଚ୍ଛାକାଶ ସମ ମନକୁ କରିଣ

ତବ ଭାବରେ ମଜ୍ଜାଅ ନେଇ ହେ, ଗୋବିନ୍ଦ ।୧୬।।

ଅନ୍ୟ କଥାରେ ନ ଭରମାଅ,

ମନ ବ୍ରହ୍ମାନନ୍ଦରେ ମଜ୍ଜାଅ

ଦୀନ ମଧୁ ଦାସ କହେ ହେ ପ୍ରାଣେଶ

ହୀନ ପ୍ରତି ନିର୍ଦ୍ଦୟ ନ ହୁଅ ହେ, ଗୋବିନ୍ଦ ।।୧୭।।

***

ଜଣାଣ

ଅନ୍ତରେ ରହିଛ ପରା, ଅନ୍ତର୍ଯ୍ୟାମୀ ଭାବଗ୍ରାହୀ

ଅନ୍ତର କଥା ଜାଣିଣ, ଅନ୍ତର କର କିମ୍ପାଇଁ ପଦ।

ଅନନ୍ତ ମାୟାର ରୀତି, ଅନ୍ତ କେହି ନ ପାଆନ୍ତି

ଅଜୟ ମାୟା ପ୍ରକୃତି, ସୃଷ୍ଟି କଲ କାହିଁପାଇଁ ୧।

ଅନାଇ ମାୟା ଜଗତ, ଅନାୟତ ହୁଏ ଚିତ୍ତ

ଅନାସକ୍ତ ଜ୍ଞାନ ତତ୍ତ୍ୱ, ହୃଦେ ନଦେଇ ଚେତାଇ ୨।

ଅନୁଗ୍ରହ କଲେ ହରି, ଅରି ଯିବେ ଅପସରି

ଅବଶ୍ୟ ମାୟାରୁ ତରି, ଭାବନ୍ତି ତୁମ୍ଭଙ୍କୁ ଧ୍ୟାୟି ୩।

ଅଣହେଳା ନ କରିଣ, ଅନୁକମ୍ପା କରି ଶୁଣ

ଅତି ଆର୍ତ୍ତେ ମଧୁ ହୀନ, ଅନୁସରଣ ଡ଼ାକଇ ।୪।

*

ଦର୍ଶାନାଶା

[କୃଷ୍ଣ ଭେଟକୁ ସଖୀ ବୁଲନ୍ତି - ବୃତ୍ତେ]

ପ୍ରଭୁହେ, ଦେଖାଦିଅ ରହିଛ କାହିଁ ?

ପରାଣ କଲବଲ ହେଉ ଅଛଇ ହେ, ପରାଣ ସାଇଁ

ପଡ଼ି ଭବ ଜଞ୍ଜାଳେ ଦୁଃଖ ଲଭଇ ହେ ୧।

ପାଶୋରି ତବ ଭାବ ଭବେ ଭ୍ରମଇ

ପୂର୍ବ ଦୁଷ୍କୃତ ବଳେ ଘାଣ୍ଟି ହୁଅଇ ହେ, ପ୍ରାଣ ମାଧୋଇ

ପର କଲେ କାହାର ହୋଇଟି ମୁହିଁ ହେ ୨।

ପ୍ରେମ ଭକତି ଜ୍ଞାନ ନାହିଁ ମୋହର

ପାଇବି କେହ୍ନେ ତବ ପଦ୍ମ ପୟର ହେ, ପ୍ରାଣଠାକୁର

ପକାଅ କୃପା ଦୃଷ୍ଟି ନୁହେଁ ନିଷ୍ଠୁର ହେ ୩।

ପରମ ଦୟାଳୁ ହେ, ବ୍ରହ୍ମ ପୁରୁଷ

ପଶୁଛି ଶରଣ ନ କର ନିରାଶ ହେ, ପରାଣ ଈଶ

ପ୍ରାର୍ଥନା କରେ ମଧୁ କ୍ଷମ ମୋ ଦୋଷ ହେ ।୪।

*

ଜଗନ୍ନାଥ ଜଣାଣ

ପୁରୀ ଦେଉଳରେ ଭାରି ଆନନ୍ଦରେ ଜାରି କରୁଛ ମହିମା ହେ

ଗରିବ ଜନତା କରି ଅନ୍ନଚିନ୍ତା ଝୁରି ଡାକନ୍ତି ମଣିମା ହେ

ମରିଗଲେ ଦୁଃଖୀରଙ୍କି । ତାରିବକି ବଡ଼ଲୋକ ଦେଖି ହେ ।।୧।।

କଳି ରାତି ଦେଖି ଡରି ରହିଲକି ଧରିଛ ଚକ୍ର କିମ୍ପାଇଁ ହେ

ବଳିୟାର ପଣେ ବଳି କେହି ଜଣେ ହରି ତବ ସମ ନାହିଁ ହେ

ଡେରି ନ କର ଏଥର । ବଳି ଭାଇ ଘେନି ଐରି ଦଳ ହେ ।୨।।

ଐରି ମ୍ଳେଚ୍ଛଗଣ ଦଳିଣ ବହନ ପାଳି ସାଧି ସ୍ଥାପ ଧର୍ମ ହେ

କାଳିଆ ଠାକୁର ହାଲିଆ ନ କର ଘାରି ହେଉଛିସ ମରମ ହେ

ଅଳି କରେ ମଧୁ ଦାସ । ଢାଳି ଦିଅ କୃପାବାରି ଲେଶ ହେ ।୩।।

-୦-

ଜଣାଣ

କହ ଦୟାଳୁ ଠାକୁର ହେ କେଣେ ଲୁଚାଇଲ ଦାୟଗୁଣ

କଲବଲ ହୋଇ ଡାକୁଅଛି ମୁହିଁ ମୋ ଡାକ କିମ୍ପା ନ ଶୁଣ ?

କେତେ ଆର୍ତ୍ତାଜନ ଆରତେ ଡାକିଣ ଲଭିଛନ୍ତି ପରିତ୍ରାଣ

କିଏ କିସ ଦେଲା ମୁଁ ନ ଦେଲି ଭଲା ମୋ ପାଇଁ ହେଲ ଦାରୁଣ ।

କଷଣ ଦୂଷଣ ସକଳ ସହିଣ ତୁମ୍ଭଙ୍କୁ କରେ ସ୍ମରଣ

କିଛି ବାଞ୍ଛା ନାହିଁ ଗେ ପରାଣ ସାଇଁ ମନ କଥା କି ନ ଜାଣ ।

କୃପା ଦୃଷ୍ଟି ଫେଇ ଦିଅ ବାରେ ଚାହିଁଣ ହେ ପ୍ରଭୁ ରମାରମଣ

କହେ ମଧୁ ଦାସ ନ କର ନିରାଶ ପାଦେ ଶରଣ ।।

*

ଜଣାଣ

(ନନ୍ଦସୁତ ମୋର ଜୀବିକା – ବୃତ୍ତେ)

ବକାଚିରା ଚକାନୟନ, ଦେଖାଅ ସେ କରାମତି ବହନ ।

ଡକାୟତ ଐରି, ଦର୍ପ ହେଲା ଭାରି,

ଏ କାଳେ ନ ବସ ହୋଇ ମଉନ ପଦ।

ପକ୍‌କା ଦେଉଳେ ତୁମେ ବସି, କି କାରଣେ ହେଉଛ ଖୁସି,

ନ ଖାଇ ବିକଳେ, ଦୁଃଖୀ ଭକ୍ତ ନରେ

ଡାକୁଛନ୍ତି ପରା ହୋଇ ନିଉନ ।୧।

ଦକା ହୃଦରୁ ନ ଛାଡ଼ିଲା, ଶଙ୍କା ବେଳୁଁ ବେଳ ବଢିଲା,

ଦୀକ୍ଷା, ଶିକ୍ଷା, ଧର୍ମ- ଗ୍ଲାନି ଆସି ହେଲା

ଘୋଟି ଗଲା ଘୋର ତମ ଅଜ୍ଞାନ ।୨।

ସେ କାଞ୍ଚି ଜୟ କଥା ଚିନ୍ତି, ତକାଇ ଭକ୍ତ ଡାକୁ ଛନ୍ତି,

ପକାଇଣ ବାରେ ଅନୁକମ୍ପା ଦୃଷ୍ଟି

ମ୍ଳେଚ୍ଛ ନାଶ ହୋଇଣ ଅବତୀର୍ଣ୍ଣ ।୩।

***

ଜଣାଣ

କହ ହେ ନିଷ୍ଠୁର ଠାକୁର, ଗଢ଼ିଥିଲ କାହିଁକି ମୋତେ

କାଢି ନ ଦେଇ ପିଣ୍ଡୁ ପ୍ରାଣ, କନ୍ଦ ଉଛ କାହିଁକି ଏତେ । ପଦ।

କି କହିବି ହୃଦ ବେଦନା, କେଉଁ କଥା ଅଛି ଅଜଣା

କିମ୍ପା ଉଣା କରି କରୁଣା, ବଣା କରୁଛ ଏ ଜଗତେ ।୧।

କଳି ଦାଉ ହେଲା ଭୀଷଣ, କଲବଲ ହେଉଛି ପ୍ରାଣ

କେତେ ନିନ୍ଦା ଦୁଃଖ ସହିଣ, ଡାକେ ତୁମ୍ଭଙ୍କୁ ଅତି ଆର୍ତ୍ତେ ।୨।

କପଟିଆ କମଳ ଆଖି, କୃପଣ ନ ହୁଅ ଏଣିକି

କହଇ ମଧୁ ଦାସ ଡାକି, ଚାହିଁ ଦିଅ କରୁଣା ନେତ୍ରେ ।୩।

*

ସହିବାକୁ ଦିଅ ଶକତି

ହେ କୃପା ସାଗର ଯେବେ ଦୁଃଖ ଦେଲ

ସହିବାକୁ ଦିଅ ଶକତି

ଯେବେ ଦେଲ ଦେହ ଆହେ ଦୟାମୟ

ଦେଉ ନାହିଁ କିମ୍ପା ସୁମତି ।।ପଦ।।

ଦୀନବନ୍ଧୁ ବୋଲି ନାମଟି ତୁମ୍ଭରି

କାହିଁକି ହେଲା ହେ ଶ୍ରୀପତି

ମୁଁ ଦୀନ କାଙ୍ଗାଳ ମୋ ବନ୍ଧୁ ନ ହେଲ

କିମ୍ପା ନାମ ଅଛ ପ୍ରକଟି ।।୧।।

ମୁଁ ପତିତ ଜନ ହେ ପତିତତ୍ରାଣ

ତୁମ୍ଭେ ତ ଦୟାଳୁ ମୂରତି

ମୁଁ ସଦା ଅପ୍ରାଧୀ ତୁମେ କ୍ଷମାନିଧି

ଦୋଷ କ୍ଷମି ଶୁଣ ବିନତି ।।୨।।

ସଦା ଭବ ବନେ ମୋ ମାନସ ଭ୍ରମେ

ନ ଜାଣଇ ତବ ଭକତି

ହେ ପଶୁ ପଥର ତବ ପାଶେ ମୋର

ମନ ଟାଣି ନିଅ ଝଟତି ।।୩।।

-୦-

ବ୍ୟାକୁଳତା ଣାଣ

ଶୁଣିଲ ନାହିଁ ମୋ ଡାକ,

ମୋତେ କନ୍ଦାଇଣ ତୁମେ ପାଅ କି ସୁଖ ?।।ପଦ।।

ହୋଇ କେତେ ଛଟପଟ ଡାକଇ ତୁମକୁ ନାଥ

ହୋଇଣ ନିର୍ଦ୍ଦୟ ଚିତ୍ତ ଦେଇ ତ ଦୁଃଖ ।।୧।।

ଦୟାମୟ ବୋଲି ସିନା ଡାକୁଛି କରି ଭାବନା

ସହିବି କେତେ ଯାତନା ହେ ପଦ୍ମ ମୁଖ ।।୨।।

ଯାଉ ନାହିଁ ଏ ଜୀବନ ବୃଥା ଚାଲିଯାଏ ଦିନ

ନ ଜନ୍ମିଲା ଭକ୍ତି ଜ୍ଞାନ ଏ ଜନ୍ମ ଧିକ ।।୩।।

ହେ ପ୍ରଭୁ କ୍ଷମା ସାଗର ବାରେ ଅନୁକମ୍ପା କର

କହେ ମଧୁଦାସ ମୋର ଶରଣ ରଖ ।।୪।।

***

ଜଣାଣ

ଏହିକି ତୁମ୍ଭରି ଦୟା ହେ, ଦୟାମୟ ଗୋସାଇଁ

ଯେ କରିଲା ତୁମ ଆଶ୍ରା ତାକୁ ମାରୁଛ କନ୍ଦାଇ ।ପଦ।

କନ୍ଦାଇଣ ଗୋପୀଗଣ, ମଧୁରା ଗଲ ଚାଲିଣ

ନନ୍ଦ ଯଶୋଦାଙ୍କ ପ୍ରାଣ ଦୁଃଖରେ ଦେଲ ଭସାଇ ।୧।

ଆଶ୍ରା କରି ବିଭୀଷଣ, ପଶିଣ ଥିଲା ଶରଣ

ମରାଇ ତାର ନନ୍ଦନ ତା କୁଳ ଦେଲ ବୁଡ଼ାଇ ।୨।

ପାଣ୍ଡବେ ସଖା ଭକତ, ତାଙ୍କୁ ଦେଲ ଯେତେ କଷ୍ଟ

ମରାଇ ଅର୍ଜ୍ଜୁନ ସୁତ କି ଲାଭ ପାଇଲ କାହିଁ ।୩।

କେ କହେ ଦୟାଳୁ ବୋଲି, ତୁମ୍ଭେ ମାୟାଳୁ ଶ୍ରୀହରି

ମଧୁ କହେ ମାୟାଧରି ମାୟାରେ ଦିଅ ଭୁଲାଇ ।୪।

***

ଜଣାଣ

[ପଥର ପାଲଟି ଗଲାକି - ବୃତ୍ତେ]

ଠାକୁର, କଲ ଅବିଚାର ।

ଦୟାନିଧି ନାମ ବହି ନିର୍ଦ୍ଦୟ ହେଲ ।ପଦ।

କରିଣ ତବ ଆଶ୍ରୟ, ନ ହଟିଲା ଭବଭୟ

ମାନସସ ନ ହୋଇ ଥୟ ହୁଏ ଅସ୍ଥିର ।୧।

ମୁଁ ଯେବେ ମହା ଅପ୍ରାଧୀ, ତୁମେ ପରା କ୍ଷମାନିଧି

ଦୋଷ ନ କ୍ଷମି ଅବଧି ଦଣ୍ଡ ବିହିଲ ।୨।

ଶରଣ ପଶି ଡାକଇ, ଦାରୁଣ ହୁଅ କିମ୍ପାଇଁ

ଏ ପରାଣ କାହିଁ ପାଇଁ ଗଢିଣ ଥିଲ ।୩।

ଡାକି ଡାକି ଥକିଲିଣି , ନ ଶୁଣୁଛ ଚକ୍ରପାଣି

ଭାଷେ ମଧୁ ଜାଣି ଶୁଣି ହେଇ ପଥର ।୪।

 

ଆପତ୍ତି

କଳାବନ୍ତ ହରି କଳାରୂପ ଧରି କଲ ନୀଳାଚଳେ ଘର

କଳିଆ ଲୋକଟି କରୁଛି ଆପତ୍ତି କାଲ ପରି କିମ୍ପା ହେଲ ହେ

କଳା କଉଶଳିଆ । କର କାହିଁକି ମୋ ପ୍ରତି ମାୟା ହେ ।

କରୁ ନାହଁତ ଟିକିଏ ଦୟା ହେ ।୧।

କଳାପ ଚୂଳିଆ କଳା ବୋଳା ମୁହାଁ କଳିନ୍ଦ କନ୍ୟା ତଟିଆ

କଳିର ପ୍ରଭାବ କରିଣ ବିପ୍ମବ କରାଏ କଲବଲିଆ ହେ

କଳି ଯୁଗିଆ ଦିଅଁ । କଳିକି କିଆଁ ପ୍ରଶୟ ହେ

କଳି ନ ହୁଅଇ ତବ ନ୍ୟାୟ ହେ ।୨।

କରପତ୍ର ଯୋଡ଼ି କରୁଛି ଆପତ୍ତି କରମ ହୀନିମାନିଆଁ

କରତା ପୁରୁଷ କରଣୀ କାଟୁଛ କରଡ଼ା ହେଉଛ କିଆଁ ହେ

କର କରକରୁଣା । କରତବ୍ୟରେ ନକର ଉଣା ହେ ।

କରବାଳେ ଛେଦ କୁକାମନା ହେ ।୩।

କଳିୟାର ଧରି କଳି ମନେ ଭରି କର ମନ-ଅଶ୍ୱାୟତ୍ତ

କଳିର କଳ୍ମଷ କରାଇ ବିନାଶ କଳିତ କରାଅ ସତ୍ୟ ହେ

କଳା କୃଷ୍ଣ ମୂରତି । କଳ୍‌କୀ ସ୍ୱରୂପ ଧର ଝଟତି ହେ ।

କରୁଛି ମଧୁଦାସ ଆପତ୍ତି ହେ ।୪।

***

ଜଣାଣ

କେ କହେ ଦୟାଳୁ ବୋଲି

ତୁମେ ବଡ଼ ନିଷ୍ଠୁର

ଡାକି ଡାକି ଥକିଲିଣି

ନ ଶୁଣୁଛ ମୋ ଗୀର ପଦ।

ତ୍ରୀତାପାନଳେ ପଡ଼ିଣ

କଲବଲ ହୁଏ ପ୍ରାଣ

ସହିବା ପାଇଁ କଷଣ

ନାହିଁ ଧୌର୍ଯ୍ୟ ଏଥର ।୧।

ହେ ପ୍ରଭୁ ଜଗତ ନାଥ

କେହ୍ନେ ଦେଖୁଚ୍ଛ ମୋ କଷ୍ଟ

ହୋଇ ସଦା ଛଟପଟ

ଚିତ୍ତ ହୁଏ ଅସ୍ଥିର ।୨।

ପତିତ ତାପିତ ନର

କେବେ ସିନା ତାରିଥିଲ

ଏବେ କର୍ଣ୍ଣେ ନ ଶୁଣିଲ

ହେଲ ନିଦା ପଥର ।୩।

ପତିତପାବନ ବାନା

ମିଛେ ଭଡ଼ାଉଛ ସିନା

ଦଣ୍ଡୁଛ ଦେଇ ଯାତନା

ମୋ ଦୋଷ ନ କ୍ଷମିଲ ।୪।

*

ସର୍ବାତ୍ମା ଭାବ ଜଣାଣ

ପ୍ରଭୁ ତବଚିନ୍ତା କଲା ଦିନୁଁ ମଥା

ନୁଆଇଁ ସକଳ କଥା ସହୁଛି

ସର୍ବାତ୍ମା ବୋଲିଣ ତୁମ୍ଭଙ୍କୁ ଭାବିଣ

ସର୍ବଘଟେ ତୁମ୍ଭ ରୂପ ଚାହୁଁଛି ପଦ।

କାହାକୁ କି ବୋଲି କହିବି ମୁଁ ଭଲା

ତୁମ୍ଭେ ତ ଲାଗାଅ ଅଛ ସବୁ ଲୀଳା

ତୁମ୍ଭ ବିନୁ ଆଉ କିଏ ଅଛି ଭଲା

ତୁମ୍ଭେ ସର୍ବ ବ୍ୟାପୀ ବୋଲି ଧ୍ୟାଉଛି ।୧।

ସକଳ ସ୍ଥାନରେ ତୁମ୍ଭେ ପୂର୍ଣ୍ଣ ବୋଲି

ପୂର୍ଣ୍ଣବ୍ରହ୍ମ ନାମ ଅଟଇ ତୁମ୍ଭରି

ଅଜ୍ଞାନୀ ମାନବ ଏହା ନ ସୁମରି

ମାୟା ଭବେ ବୃଥା ଘାଣ୍ଟି ହେଉଛି ।୨।

ଆତ୍ମାମୟ ଏହି ଜଗତ ଭାବିଣ

ଆତ୍ମାନନ୍ଦେ ମଜ୍ଜି ଚାଲିଯାଉ ଦିନ

ମଧୁ ବୋଲେ ଯେତେ ମାନ ଅପମାନ

ତୁମ ଦାନ ବୋଲି ଭାବି ରହୁଛି ।୩।

*

।।ଦର୍ଶନ ଉତ୍କଣ୍ଠିତା ।।

[ଧୀରେ ଘେନ କାନନରେ - ବୃତ୍ତେ]

ଯେବେ ନ ପାଇଲି ପ୍ରଭୁ ତବ ଦରଶନ

ଏ ଛାର ଜୀବନେ ଆଉ କିବା ପ୍ରୟୋଜନ, ବିଶ୍ୱମୋହନ ହେ ।୧।

ଜାଣୁଛି ସଂସାରେ କିଛି ନୁହେଁ ଚିର ସତ୍ୟ

ତଥାପି ମାୟାରେ ଚିତ୍ତ ହେଉଛି ମୋହିତ, କୃଷ୍ଣ ଅଚ୍ୟୁତ ହେ ।୨।

ଯେତେ ବୁଝାଇଲେ ମନ ନ ହେଉଛି ସ୍ଥିର

ଚିନ୍ତା କରି ନ ପାରଇ ତବ ଶ୍ରୀପୟର, ବିଶ୍ୱ ସୁନ୍ଦର ହେ ।୩।

କହୁ କହୁ କ୍ରମେ କ୍ରମେ ଚାଲିଯାଏ ଦିନ

ଆଉ କେବେ ତବ ପାଦ କରିବି ଦର୍ଶନ, ମନ ମୋହନ ହେ ।୪।

ତବ ଦୟା ହେଲେ ସିନା ତବ ଭେଟ ହେବ

ଦୟାକରି ଦେଖାଅ ଶ୍ରୀଚରଣ ରାଜୀବ, ଭକ୍ତ ବାନ୍ଧବ ହେ ।୫।

*

ଜଣାଣ

[ଆହେ ନୀଳଶଇଳ ପ୍ରବଳ - ବୃତ୍ତେ]

କି ଲୀଳା କରୁଛ ପ୍ରଭୁ ବସି ନୀଳାଚଳରେ

ଭକ୍ତ ଆର୍ତ୍ତ ଡାକ ନ ଶୁଭେ କି କର୍ଣ୍ଣ ବିଳରେ ।ପଦ।।

ଦୁର୍ନୀତି ଦୁର୍ଗତି ଘୋଟି ଗଲାଣି ଏ ସଂସାରେ

ସତ୍ୟନିଷ୍ଠ ଲୋକ କଷ୍ଟ ଲଭନ୍ତି ଏ ବେଳରେ ।୧।।

ଅନ୍ୟାୟ ଅଶାନ୍ତି ବ୍ୟାପିଲାଣି ସବୁ ସ୍ଥଳରେ

ଭାରତ ଜନନୀ ପରା କାନ୍ଦଇ ବିକଳରେ ।୨।।

ବଳିଷ୍ଠ ହେଲେଣି ଦୁଷ୍ଟ ପାଶବିକ ବଳରେ

ଦେଖୁ ଦେଖୁ ରିପୁ ପଶିଲେଣି କଉଶଳରେ ।୩।।

ପ୍ରବଳ ହେଲେଣି ମ୍ଳେଚ୍ଛଗଣ ଭୂମଣ୍ଡଳରେ

ବେଗେ ମ୍ଳେଚ୍ଛଗଣ ନାଶକର କରବାଳରେ ।୪।।

*

କି କହିବି କହି ନହୁଅଇ କିଛି

ଯାହା କରୁଅଛ, ଆହେ ନନ୍ଦବତ୍ସ,

କି କହିବି କହି ନ ହୁଅଇ କିଛି ।

କହିଲେତ କୁଳ କୁଟୁମ୍ୱକୁ ଲାଜ

ନ କହିଲେ କୁଳ ଭାସି ଯାଉଛି ।ପଦ।

ଛାଡ଼ିଦିଅ କୁଟ କପଟ ବୋଲିଣ,

ତୁମ୍ଭେ ପରା ଶିକ୍ଷା ଦିଅ ଭଗବାନ

ପୁଣି ନଟକୁଟ ମାୟାକୁ ରଚିଣ

ହସାଇ ପୁଣି କେ କନ୍ଦାଇ ମାରୁଛି ।୧।

ସର୍ବ କର୍ତ୍ତା ନାମ କିଏ କି ବହଇ,

ତୁମ୍ଭେ ପରା ସର୍ବ କଥା କଥା କର ରହି

ସବୁ କଥା ରଚି ଲୁଚୁଛ କିମ୍ପାଇଁ

ତୁମ୍ଭେ ଲୀଳା ଭାବ ବୁଝି ନ ପାରୁଛି ।୨।

ମୋ ଇଚ୍ଛାରେ କିଛି ନ ହୁଏ ଜଗତେ,

ଯେଉଁ ବାଟେ ନିଅ ଯାଏ ମୁଁ ସେ ପଥେ

ତେବେ କିମ୍ପା ପରଖୁଛ ମୋତେ ଏତେ

ତୁମ ଲୀଳା ଭାବି ମଥା ଭରମୁଛି ।୩।

-୦-

ବ୍ୟାକୁଳତା

[କେତେ ଡାକିଲି ହୃଦୟ ଖୋଲି - ବୃତ୍ତେ]

କେବେ ଡାକିବି ହା ପ୍ରାଣେଶ୍ୱର, ସତେ ଏଡ଼େ ଭାଗ୍ୟ ହେବ ମୋର

କେବେ ତବ ପାଇଁ କାନ୍ଦି କାନ୍ଦି, ପ୍ରେମେ ଝରାଇବି ଅଶ୍ରୁଧାର ।ପଦ।

କେବେ କାମନା କଳ୍ପନା ଛାଡ଼ି, ତବ ପ୍ରେମାବ୍‌ଧିରେ ଯିବି ବୁଡ଼ି

କଳେବରର ମମତା ଏଡ଼ି, ତବ ଚିନ୍ତା କରିବି କେବଳ ୧।

କେଉଁ ଦିନ ଏଡ଼େ ଭାଗ୍ୟ ହେବ, କାମ କ୍ରୋଧ ଲୋଭାଦି ଘୁଞ୍ଚିବ

କୁଞ୍ଜ ବନରେ ନିଶି ପାହିବ, ସେବୁଥିବି ଭାବେ ଶ୍ରୀପୟର ।୨।

କେବେ ଅତି ବ୍ୟାକୁଳ ଭାବରେ, କହୁଥିବି ହେ ପ୍ରଭୋ ଉଚ୍ଚରେ

କରି ଅନ୍ୱେଷଣ ଭୁରୁପରେ, ହେଉଥିବି ପ୍ରେମରେ ବିହ୍ୱଳ ।୩।

କାହିଁ କେବେ ସେ ବେଳ ଆସିବ, କୃପା କଟାକ୍ଷ କେବେ ପଡ଼ିବ

କରି ମଧୁମତୀ ଭକ୍ତିଭାବ, ମଧୁରେ କି କରିବ ଠଉର ।୪।

*

ଭଲ ବୁଦ୍ଧି ସଦା ଦିଅ

ପ୍ରଭୁ ମୋତେ ଭଲବୁଦ୍ଧି ଦିଅ

ସତ୍ୟ ଧର୍ମ ବାଟେ, ଗମିଣ ନିରତେ, କରୁଥିବି ତବ ଲୟ ।ପଦ।

କହନ୍ତୁ ଯେ ଯାହା, ନ ଶୁଣିଣ ତାହା, ହେଉଥିବି ସର୍ବସହ ।

ପରକୁ ନିଜର, ଭାବି ନିରନ୍ତର, ହୋଇବି, ସବୁରି ପ୍ରିୟ ।୧।

ଜଗତକୁ ମାତା, ପିତା କରି ଚିନ୍ତା, ଦେଖୁଥିବି ଆତ୍ମାମୟ

ନିନ୍ଦାସ୍ତୁତି ବେନି, ଏକ ପ୍ରାୟ ମଣି, ବରଜିବି ଲଜ୍ଜା ଭୟ ।୨।

ଛାଡ଼ିଣ ଅସତ୍ୟ, ଆସକ୍ତି କପଟ, ତେଜି କାମ, କ୍ରୋଧ, ମୋହ

ତବ ପ୍ରୀବ୍ୟାର୍ଥରେ, କର୍ମ କରିବାରେ, କରିବି ତୁମ୍ଭଙ୍କୁ ସ୍ନେହ ।୩।

ଅନିତ୍ୟ ସଂସାରୁ ମାୟା ପଦାର୍ଥରୁ, ମନକୁ ବେଗେ ହଟାଅ

ମଧୁର ଅନ୍ତରେ ଥାଇ ନିରନ୍ତରେ, ନିତ୍ୟ ପ୍ରେମ ପଥେ ନିଅ ।୪।

-୦-

ଅନୁତାପ

ଥରେ ଭକ୍ତିଭରେ ପ୍ରଭୁ ନ ଭଜିଲି ତବ ନାମ ।

ଧିକ ଏ ନିର୍ଲଜ ପ୍ରାଣ ରହି କିବା ପ୍ରୟୋଜନ ।ପଦ।

ଧିକ ପରିଶ୍ରମ କର୍ମ ଧିକ ଯଶ କୀର୍ତ୍ତି ଧାମ

ଧିକ ଧିକ ଏ ଜନମ ହେଲା ସିନା ଅକାରଣ ।୧।

ତବ ଭାବନା ତେଜିଣ ସଂସାରରେ ହେଲି ମଗ୍ନ

ଜାଣି ଶୁଣି ଭୁଲା ମନ ଭୂଲିଣ ହୁଏ ଭରମ ।୨।

ଜୀବନ ଚାଲି ନ ଯାଇ ବଞ୍ଚିଛି ବୃଥା କିମ୍ପାଇଁ,

ନିଅ ବେଗେ ପ୍ରାଣବାଇ ଅନୁତାପେ ହୁଏ କ୍ଷୀଣ ।୩।

ତବ କୃପା ହେଲେ ନାଥ ଭଜନ୍ତା ତୁମ୍ଭଙ୍କୁ ଚିତ୍ତ

ଡାକେ ମଧୁ ତିଳେ ମାତ୍ର କୃପା ବିନ୍ଦୁ କର ଦାନ ।୪।

*

ବ୍ୟାକୁଳତା ଜଣାଣ

[ଏହି କୁଞ୍ଜେ ଥିବେ ପରା - ବୃତ୍ତେ]

କେବେ ଆସିବ ସେ ବେଳ

ତୁମ୍ଭଙ୍କୁ ଚିନ୍ତିବି ସତେ ହୋଇ ବ୍ୟାକୁଳ ।ପଦ।

କେବେ ଚିନ୍ତି ତବ ଭାବ ହୃଦୟ ଥରି ଉଠିବ

ଅସ୍ଥିର ମନ ଭାବିବ ହୋଇଣ ସ୍ଥିର ।୧।

କେବେ ତବ ଶ୍ରୀପୟର ଚିନ୍ତିଣ ହେବି ବିଭୋର

କେବେ ସେ ଭାବାଶ୍ରୁ ଧାର ହେବ ବାହାର ।୨।

କେବେ ଭୁଲିଣ ନିଜତ୍ତ୍ୱ ଡାକିବି ହା ପ୍ରାଣନାଥ

ରଖି ତବ ପାଦେ ଚିତ୍ତ ହେବି ପାଗଳ ।୩।

କେବେ ତବ ଚିନ୍ତା କରି ଜୀବନ ଯିବ ବାହାରି

ମଧୁର ଏତିକି ଅଳି ଶୁଣ ଠାକୁର ।୪।

*

ନିଷ୍କାମ ଭାବ ଭାବନା

[ତୋ ଘେନି ତମାଳ ଶ୍ୟାମ - ବୃତ୍ତେ]

ମୋ ହୀନିମାନିଆ ପ୍ରାଣ, ଛଟପଟ ହେଉଥାଉ

ମୋ ଛାର କଥା କଦାପି ତାଙ୍କ କର୍ଣ୍ଣକୁ ନ ଯାଉ ।ପଦ।

ରହିଥାଆନ୍ତୁ ସେ ସୁଖେ, ମୁଁ ଏଣେ ରହିବି ଦୁଃଖେ

ମୋ ବେଦନା ତାଙ୍କ ପାଖେ କେହି ଯାଇ ନ ଜଣାଉ ।୧।

ମୋ ପରି ଜଗତେ କେତେ, ରହିଛନ୍ତି ଦୁଃଖ କଷ୍ଟେ

ସୋମାନଙ୍କ ପରି ଚିତ୍ତେ ସହୁଥିବି ସବୁ ଦାଉ ।୨।

ଯାହା କରିଛି ଭୋଗିବି, ତାଙ୍କୁ କାହିଁକି କହିବି,

ଅନ୍ତରେ ତାହାଙ୍କୁ ଭାବି ପ୍ରାଣ ଯାଉ ଅବା ରହୁ ୩।

ମୋ ଇଚ୍ଛାଟି ଅକାରଣ, ତାଙ୍କ ଇଚ୍ଛା ହେବ ପୂର୍ଣ୍ଣ

କେବଳ ତାଙ୍କ ଚରଣ ମଧୁ ମନେ ଅଙ୍କା ହେଉ ।୪।

*

ନିଷ୍କାମ ଭାବ ଜଣାଣ

(କୁଞ୍ଜ ବନରେ କାଳିଆ ଦେବତା –ବୃତ୍ତେ)

ଏ ସାଗ ଜଗତେ କଷ୍ଟ ଅଛି ଯେତେ

ସବୁ ଦିଅ ପ୍ରଭୁ ନେବି ହେ

ନିନ୍ଦା ଅପମାନ କଷଣ ସହିଣ

ତୁମ୍ଭରି ନାମ ଭଜିବି ହେ ।ପଦ।

ଯେ ଦେବାର ପଛେ ଦେଉ ଗାଳି ମାଡ଼,

ମାତ୍ର ତୁମ୍ଭ ନାମେ କରିଥିବି ଦୃଢ଼

କରିଦିଅ ମୋତେ କାଲ ଅବା ଜଡ଼,

ବସି ନାମ ଜପୁଥିବି ହେ ।୧।

ବିପଦ ସାଥୀରେ ହୋଇଣ ମଇତ୍ର,

ପ୍ରେମେ ଗାଉଥଇବି ତୁମ ଗୁଣ ଗୀତ

ଦିଅ ମୋତେ ଧୈର୍ଯ୍ୟ ସାହସ ହେ ନାଥ,

ତୁମ ଭାବ ନ ଭୁଲିବି ହେ ।୨।

ଦେଲେ ଦିଅ ଦୁଃଖ ବିପଦ ଅପାର,

ମାତ୍ର ଦିଅ ସହ୍ୟ ଶକ୍ତି ମନବଳ

ତୁମ୍ଭଙ୍କୁ ଯେହ୍ନେ ସଦା ପାଇବି ଭଲ

ତୁମ ଭାବା ଭାବୁଥିବି ହେ ।୩।

ଯଶ, କୀର୍ତ୍ତି, ସୁଖ ଲୋଡ଼ା ନାହିଁ ମୋର ,

ନ ଖୋଜଇ ସ୍ୱର୍ଗ ସମ୍ପଦ ଆଦର

ମଧୁ କହେ ଯାହା ଚାହେଁ ଦୟାକର

ନିର୍ଦ୍ଦୟ ହେଲେ ମରିବି ହେ ।୪।

*

ନିଷ୍କାମ ଭାବ ଜଣାଣ

ମୋତେ ପଛେ ଦୁଃଖେ ପେଲି ଦିଅ ନର୍କେ

ତୁମ୍ଭେ ସୁଖେ ଆନନ୍ଦରେ ଥାଅ ରହି

ତୁମ୍ଭେ ମୋର ଭଲ ନିର୍ମଳ ସୁନ୍ଦର

ତୁମ୍ଭଙ୍କୁ ଖରାପ ଅର୍ପିବି କିମ୍ପଇଁ ପଦ।

ମୋ ଛାର ଜଞ୍ଜାଳ ନ ଲାଗୁ ତୁମ୍ଭଙ୍କୁ

ମୋ କଥା ନ ଯାଉ ତୁମ୍ଭ ଶ୍ରବଣକୁ

ନାନା ପୀଡ଼ା କଷ୍ଟ ହେଉ ମୋ ଦେହକୁ

ତୁମ୍ଭେ ପ୍ରେମାନନ୍ଦେ ଥାଅ ତେଣେ ରହି ।୧।

ନ ଧର ହେ କାତ ମୋତେ ତାରିବାକୁ

ବାଧା ହେବ ସିନା କୋମଳ କରକୁ

ମୁଁ କିମ୍ପା ସୁଖରେ ବସିବି ନାବରେ

ତୁମେ କିଆଁ କଷ୍ଟେ ନାବ ନେବ ବାହି ।୨।

ଚାହେଁ ନାହିଁ ମୁହିଁ ମୁକତି ହେବାକୁ

ଚାହେଁ ନାହିଁ ପ୍ରଭୁ ପଣ କରିବାକୁ

ଚାହେଁ ନାହିଁ ସୁଖ ଆଦର ଯଶକୁ

ତବ ନାମ ଚିନ୍ତା ମୋ ସୁଖ ଅଟଇ ।୩।

ନିନ୍ଦା କରି ପଛେ କହନ୍ତୁ ଜଗତ

ନର୍କେ ପଡ଼ି ସୁଦ୍ଧା ହେବି ଛଟପଟ

ମଧୁ ଭାଷେ ତବ ପାଦେ ଥିଲେ ଚିତ୍ତ

ସୁଖ ଆନନ୍ଦରେ ମାନସ ଅଛଇ ।୪।

***

ନିଷ୍କାମ ଭାବ ଜଣାଣ

[କୁଞ୍ଜବନରେ କାଳିଆ ଦେବତା - ବୃତ୍ତେ]

କାଳିଆ ସୁନା, କିଛି ମୋର ନାହିଁ କାମନା ।

ତୋ ଭାବ ଦେବା ପାଇଁକି କାହିଁକି କରୁଛୁ ମନା ।ପଦ।

ଯେତିକି କରୁଛ ଦତ୍ତ ସେତିକିରେ ଅଛି ତୃପ୍ତ

ଅଧିକକୁ ନାହିଁ ଚିର୍ତ୍ତ ତୋ ଇଚ୍ଛା ଚିନ୍ତେ ସତତ

ସତ କରି କହୁଛି ସିନା ୧।

ନିର୍ବାଣରେ ମନ ନାହିଁ ଧନ ଜନ ନ ମାଗଇ

ଇନ୍ଦ୍ରପଦ ନ ବାଞ୍ଛଇ ପାଟ ମଠା ନ ଖୋଜଇ

ପିନ୍ଧାଅ ମୋତେ ଛିଣ୍ଡାକନା ୨।

ହେବି ସୁଦ୍ଧା ହୀନିମାନ ଗାଉଥିବି ତୋର ଗୁଣ

ସକଳ କଥା ସହିଣ ଭଜୁଥିବି ତୋର ନାମ

ନାହିଁ ମୋର କେ ତୋର ବିନା ।୩।

ମିଳୁ ଦୁଃଖ ନିନ୍ଦା ବାଧା କରୁଥିବି ତୋର ଫନ୍ଦା

ମଧୁଦାସ ମନ ସଦା ଚିନ୍ତୁ ତୋ ଚରଣଛନ୍ଦା

କରୁ ତୋରକ ଭାବ ଭାବନା ।୪।

*

ନିଷ୍କାମ ଭାବ ଜଣାଣ

[କୃପାସିନ୍ଧୁ ବଦନ କରି ଅବଲୋକନ - ବୃତ୍ତେ]

ଜନମ ଦେଇ ମୋତେ କଷ୍ଟ ଦେଉଛ ଏତେ

ତୁମ୍ଭେ ସୁଖୀ ହୁଅ କି ଭାବି

ତୁମ୍ଭେ ଆନନ୍ଦମୟ ଆନନ୍ଦେ ରହିଥାଅ

ମୁଁ ଦୁଃଖେ ଛଟପଟ ହେବି ହେ, ମହାପ୍ରଭୁ

ତୁମ୍ଭନାମ ସୁମରୁ ଥିବି ତୁମ୍ଭ କଥାରେ ଦିନ ନେବି

ଦୟା ହେଉ ଏତିକି କରାଅ ସୁଦ୍ଧା ଦୁଃଖୀ

କର୍ମାଦରି ସବୁ ସହିବି ହେ ।୧।

ଜାଣୁଅଛ ତ ସର୍ବ ଜଣାଇବି କି ଭାବ

ଗାଇ କରିବି କି ପ୍ରାର୍ଥନା

ପାର୍ଥିବ ଜଗତର ସୁଖ ଯେବେ ଅସାର

କାହିଁକି କରିବି କାମନା ହେ, ମହାପ୍ରଭୁ ।

ପୂର୍ଣ୍ଣ ନ ହୁଏ ମୋ ଭାବନା । ସକଳ ଚିନ୍ତା ସିନା ।

ତୁମ୍ଭରି ଚିନ୍ତା ସତ୍ୟ ଭାବୁଥାଉ ମୋ ଚିତ୍ତ

ଲଭୁଥାଉ ପଛେ ଯାତନା ହେ ୨।

ଦିଅ ଯେତେ ଯାତନା ତହିଁ ନାହିଁ ଶୋଚନା

କେବଳ ଏତିକି ଭାବଇ

ତୁମ୍ଭ ଭାବ ଭାବନା ଊଣା ହେବାରୁ ସିନା

ବିଶେଷ ବେଦନା ଲଭଇ ହେ, ମହାପ୍ରଭୁ ।

ସେ ବେଦନା ନହୁଏ ସହି କି ହେବ ଏ ଜୀବନ ରହି

ହେ ପ୍ରଭୁ ବିଶ୍ୱପତି ଭାବୁ ଭାବୁ ଏ ରୀତି

ଛୁଟୁ ମଧୁର ପ୍ରାଣ ବାଇ ହେ ।୩।

***

ନିଷ୍କାମ ପ୍ରେମ ଭାବନା

[ନନ୍ଦସୁତ ମୋର ଜୀବିକା- ବୃତ୍ତେ]

ଦୁଃଖ ପଙ୍କେ ସଢିବି ସୁଦ୍ଧା ତାଙ୍କୁ ମୋ ପାଶକୁ ଡ଼ାକିବି ନାହିଁ

(ଆହା) କେଡ଼େ ସୁକୁମାର କୋମଳ ପୟର

କେହ୍ନେ କେଉଁଠାରେ ରଖିବେ ସେହି ।ପଦ।

ମୁଁ ତ ଜାଣେ ନାହିଁ ସେ ଭକ୍ତ, ତାଙ୍କ ପାଦେ ନାହିଁ ମୋ ମତି

ମୋ ସେବାରେ କେହ୍ନେ ସେ ହୋଇବେ ଶାନ୍ତି

ସେବକୀ ପଣେ ମୁଁ ଯୋଗ୍ୟା ନୁହଁଇ ।୧।

ଯହିଁ ଇଚ୍ଛା ଥାଆନ୍ତୁ ତହିଁ, ଭାବାନନ୍ଦେ ଥାଆନ୍ତୁ ରହି

ମୋ ପରି କୁତ୍ସିତା ନିକଟେ କିମ୍ପାଇଁ

ସେ ଶ୍ରେଷ୍ଠ ସୁନ୍ଦର ଆସିବେ ଧାଇଁ ।୨।

ସେ ନିତ୍ୟ ପ୍ରେମାନନ୍ଦ ସୁଖୁଁ, ବଞ୍ଚୂତ କରିଣ ତାହାଙ୍କୁ

ଡାକିବି କିମ୍ପା ଏ ଅନିତ୍ୟ ସ୍ଥଳକୁ

କିପରି ତୋଷିବି କି ଦ୍ରବ୍ୟ ଦେଇ ।୩।

ମୁଁ ସଦା ଦୋଷୀ ସଦା ଦୁଃଖୀ, ମୋ ପାଶେ ଆଶିବେ କାହିଁକି

ଦେଖି କେବଳ ତାଙ୍କୁ ଡାକି ଡାକି

ଚାଲି ଯାଉ ମଧୁ ପରାଣ ବାଇ ।୪।

-୦-

ନିଷ୍କାମ ଜଣାଣ

ଯାହା ଇଚ୍ଛା ତାହା କର ପ୍ରଭୁ ଆଉ

ତୁମ୍ଭଙ୍କୁ କିଛି ନ କହିବି ହେ,

ଦୁଃଖ ନିନ୍ଦା ତବ ଶୁଭାଶୀଷ ଭାବି

ସବୁ କଥା ସହି ରହିବି ହେ ।।ପଦ।।

ଯେତେ ଝଡ ଝଞ୍ଜା ବହିବାର ବହୁ

ଯାହା ଇଚ୍ଛା ତାହା ହୋଇବାର ହେଉ

ଯିଏ ଯେଉଁ କଥା କହିବାର କହୁ

ବିରକ୍ତ କେବେ ନ ହୋଇବି ହେ ।୧।।

ସମ୍ପଦ ବିପଦ ମାନ ଅପମାନ

ରୋଗ, ଭୋଗ ସବୁ ଅଟେ ତୁମ୍ଭ ଦାନ

ଆନନ୍ଦେ ସକଳ କରିଣ ଗ୍ରହଣ

ତବ ଶୋଭା ରୂପ ଧ୍ୟାଇବି ହେ ।୨।।

ମୋ ଭାବନା ଯାକ ହେବ ଅକାରଣ

ଶେଷେ ତବ ଇଚ୍ଛା ହୋଇଭ ପୂରଣ

ମଧୁଦାସ ବୋଲେ ତେବେ କିମ୍ପା ପ୍ରାଣ

ରଖ ବୋଲି ଆଶା ବହିବି ହେ ।।୩।।

***

ପ୍ରିୟତମା ଭବନା

ପ୍ରିୟତମ ! ତୁମ କଥା ଭାବୁଥାଏ ।

ମୋତେ ପଛେ ଭଲ ନ ପାଅ ଠାକୁର,

ତୁମକୁ ମୁଁ ଭଲ ପାଏ ପଦ।

ହୃଦକୁ ପଥର କରି ନିରନ୍ତର ନିନ୍ଦା କଷ୍ଟ ସବୁ ସହେ ।

ତୁମ ଆତ୍ମା ପ୍ରୀତି ଭାବି ନିତି ନୟନରୁ ଲୁହ ବହେ ।୧।

ଇନ୍ଦ୍ରିୟ ଆସକ୍ତି କ୍ଷଣସ୍ଥାୟୀ ପ୍ରୀତି ତହିଁକି ମତି ନ ଯାଏ

ତୁମ ଆତ୍ମା ସତ୍ୟ ସୁନ୍ଦର ପଦାର୍ଥ ମନରୁ ଭୁଲି ନ ହୁଏ ।୨।

କେବେ ମୋ ନିକଟେ ତୁମେ ଆସି ସତେ ଦେଖାଦେବ କି ଟିକିଏ

ନାହିଁମୋ ସୁଗୁଣ ତୁମ ମନପ୍ରାଣ ତୋଷିବି ବା କେଉଁସ୍ନେହେଁ ? ।୩।

ତୁମ ଭାବ ମୋ ସୁଖ ସମ୍ପତ୍ତି ଅନ୍ୟାନ୍ୟ ସୁଖ ନ ଚାହେଁ ।

ମଧୁମତି ନିତି ତୁମ ଭାବ ଚିନ୍ତି ସାଇତି ଥାଏ ହୃଦୟେ ।୪।

-୦-

ଦ୍ୱାଦଶାକ୍ଷର ସ୍ତବ

(ଓଁ ନମୋ ଭଗବତେ ବାସୁଦେବାୟ)

ଓଁ କାର ସ୍ୱରୂପ ବ୍ରହ୍ମ ସନାତନ

ଓଲଟ ପାଲଟେ ଖେଳ ଆତ୍ମାରାମ

ଓଁକାରେ ସାଧୁ ଭଜନ୍ତି ତବ ନାମ

କୃପାକର ହେ କରୁଣାମୟ ଶ୍ୟାମ ୧।

ନବ ନୀରଦ ବରନ ବଂଶୀଧର

ନିତ୍ୟ ବୃନ୍ଦାବନ ରମ୍ୟ ସୁଧାକର

ନିନ୍ଦାତ୍ମକ ନଟବର ନାରାୟଣ

କୃପାକର ହେ କରୁଣାମୟ ଶ୍ୟାମ ୨।

ମୋଦ ମାଧୁର୍ଯ୍ୟ ଲଳିତ ରସଧାମ

ମହା ଭାବମୟ କୃଷ୍ଣ ନରୋତ୍ତମ

ମଧୁସୂଦନ ମୋହନ ମନୋରମ

କୃପାକର ହେ କରୁଣାମୟ ଶ୍ୟାମ ୩।

ଭକ୍ତବନ୍ଧୁ ଭାବଗ୍ରାହୀ ଭାଗ୍ୟଧର

ଭୀଷଣ ଭବାର୍ଣ୍ଣବର କର୍ଣ୍ଣଧାର

ଭକ୍ତହୃଦାରାଧ୍ୟ ନୟନାଭିରାମ

କୃପାକର ହେ କରୁଣାମୟ ଶ୍ୟାମ ୪।

ଗଗନ ସ୍ୱରୂପ ପୀତାମ୍ୱର ଧାରୀ

ଗହନ କୁଞ୍ଜବନ ଭ୍ରମଣକାରୀ

ଗୋକୁଳାନନ୍ଦ ଗୋବିନ୍ଦ ଗୋପୀପ୍ରାଣ

କୃପାକର ହେ କରୁଣାମୟ ଶ୍ୟାମ ୫।

ବନମାଳୀ ନରହରି ବିଶ୍ୱମୂର୍ତ୍ତି

ବିଶ୍ୱଭକ୍ତ ବିମୋହନ ବିଶ୍ୱପତି

ବିଶ୍ୱକର୍ତ୍ତା ବିଶ୍ୱଗୁରୁ ବିଶ୍ୱରମ୍ୟ

କୃପାବର ହେ କରୁଣାମୟ ଶ୍ୟାମ ।୬।

ତେଜସ୍କର ତ୍ୟାଗୀ ତ୍ରିଭଙ୍ଗୀମା ଠାଣି

ତ୍ରୟତାପ ହାରୀ ପ୍ରେମ ଚିନ୍ତାମଣି

ତ୍ରିଗୁଣାତୀତ ମହତ ଜ୍ଞାନରାମ୍ୟ

କୃପାକର ହେ କରୁଣାମୟ ଶ୍ୟାମ ୭।

ବାସୁଦେବ ବଳ ବୀର୍ଯ୍ୟଶାଳୀ ହରି

ବୃନ୍ଦାବନେଶ୍ୱର ଗୋବଦ୍ଧନ ଧାରୀ

ବାଳ ଗୋପାଳ ସ୍ୱରୂପ ପରଂବ୍ରହ୍ମ

କୃପାକର ହେ କରୁଣାମୟ ଶ୍ୟାମ ୮।

ସୁକୁମାର ସୁନ୍ଦର ଲାବଣ୍ୟ ସିନ୍ଧୁ

ସଜ ସରୋଜ ନୟନ ବ୍ରଜବନ୍ଧୁ

ସଦାନନ୍ଦ ନିର୍ଲିପ୍ତ ଶୁଦ୍ଧ ନିଷ୍କାମ

କୃପାକର ହେ କରୁଣାମୟ ଶ୍ୟାମ ୯।

ଦେବକୀ ନନ୍ଦନ ଯଶୋଦା ଜୀବନ

ଦେବ ହିତକାରୀ ଭକ୍ତ ପ୍ରାଣଧନ

ଦୀନବନ୍ଧୁ ଦାମୋଦର ଆର୍ତ୍ତତ୍ରାଣ

କୃପାକର ହେ କରୁଣାମୟ ଶ୍ୟାମ ୧୦।

ବାଞ୍ଛା କଳ୍ପତରୁ ଚାରୁ ଚିଦାନନ୍ଦ

ବୃଷଭାନୁ ସୁତା ହୃଦୟ ସମ୍ପଦ

ବ୍ୟୋମାତୀତ ଜ୍ଞାନତତ୍ତ୍ୱ ସତ୍ୟ ଧର୍ମ

କୃପାବର ହେ କରୁଣାମୟ ଶ୍ୟାମ ୧୧।

ୟ-ଅନନ୍ତ ଅଚ୍ୟୁତ ଦେବ ଜନାର୍ଦ୍ଦନ

ଅପ୍ରାଧ କ୍ଷମାକର ହେ ଭଗବାନ

ଅନ୍ତରେ ଦିଅ ତବ ଭକତି ପ୍ରେମ

କୃପାକର ହେ କରୁଣାମୟ ଶ୍ୟାମ ୧୨।

*

ଜଣାଣ

(ମୁରଲୀ ତୋର ଶରଣ – ବୃତ୍ତେ)

ଗୋବିନ୍ଦ, ତୁମ ଇଚ୍ଛାହିଁ ସାର ହେ

ତୁମ ଇଚ୍ଛା ଯାହା କରିବ କର ହେ ।ପଦ।

ମୋ ଇଚ୍ଛା ଅଟଇ ପାଣିର ଗାର,

ତୁମ ଇଚ୍ଛାରେ ହୁଅଇ ସକଳ ହେ ୧।

ଏ ସଂସାର ତୁମରି ଖେଳ ଘର,

ଲଗାଇଛ ଜନ୍ମ ମରଣ ଖେଳ ହେ ୨।

ଦୁଃଖ କଷଣ ବଢ଼େ ବେଳୁଁ ବେଳ,

ସହି ନ ହୁଅଇ ବେଦନା ଭାର ହେ

ମଧୁ କହେ ନ କରିଣ ସୁନ୍ଦର,

ପିଣ୍ଡରୁ ପରାଣ ନିଅ ଏଥର ହେ

***

ସଖ୍ୟଭାବ ଜଣାଣ

[ଚକାଡ଼ୋଳା କିମ୍ପା - ବୃତ୍ତେ]

କଳା କାହ୍ନୁ ତୁହି ବଡ଼, ତୁହି ବଡ଼ ଚଲାକି ।

କରି ସର୍ବ କର୍ମ ମୁଁ ନିର୍ଗୁଣ

ତୋ ବିନା କେ ସର୍ବକର୍ତ୍ତା ଅଛି କି ? ।ପଦ।

ଦୁନିଆଁ ଲୋକର ଆଖିରେ ମାୟାର

ଅନ୍ଧ ପୁଟୁଳିକି ବାନ୍ଧଇଣ ଜାକି

ଲୁଚି ଲୁଚି ତୁହି ଚେର ପ୍ରାୟେ ହୋଇ

ଠକାମି ପଣରେ ଦେଉଛୁ ଠକି ।୧।

ମୃଗତୃଷ୍ଣା ପରି ସଂସାରଟା କରି

ଲଗାଇଛୁ ଖାଲି ମାୟା ଭେଳିକି

ମୁଁ ଯେ ଧାଇଁ ଧାଇଁ ହୁଏ ହାଇଁ ପାଇଁ

ଦୟା ଧର୍ମ ତୋର ହୃଦେ ନାହିଁ କି ? ।୨।

ଏ ମାୟା ସଂସାର କେ ନୁହେଁ କାହାର

ପୁଣି ମୋର ବୋଲି କିଏ କହେ କି

ତ୍ରିଗୁଣ ରଜ୍ଜୁଟି ହାତେ ଧରି ନିତି

ନଚାଉଛି କିଏ ଓଟାରି ଝିଙ୍କି? ।୩।

ଭାବି ଭାବି ତୋର ଲୀଳା ଭାବ ଖେଳ

ମୋଟା ଦେହ ଗୋଟା ଗଲାଣି ଶୁଖି

ଗୀତେ ମଧୁ ବୋଲେ ଶୁଣି ଶୁଖି ମଲେ

ତୋ ପଦତଳେ ନ ଯବିକି ଲାଖି ।୪।

***

ସତ୍ୟଭାବ ଜଣାଣ

କଳା କାହ୍ନୁ ତୁହି ବଡ଼, ତୁହି ବଡ଼ ମାଡ଼ୁଆ ।

ଅଡ଼ାଇ ଗୋଧନ ବଢ଼ାଇଲୁ ପ୍ରେମ

ସହଜେ ତ ଜାତି ତୁ ଗଉଡ଼ିଆରେ ।ପଦ।

ଶ୍ରୀବତ୍ସ ବ୍ରାହ୍ମଣ ନାତେକ ମାରିଣ

ହେଲା ସେ ଭକତ ଅତି ବଢିଆ

ସେ ଭକ୍ତ ଚରଣ ହୃଦରେ ବହିଣ

ଦେଖାଇଲୁ ଭକ୍ତି ଭକ୍ତ ଦାଢିଆରେ ।୧।

ତୋ ଦୁଷ୍ଟାମି ବେଳେ ଯଶୋଦା ହାତରେ

ଖାଇ ନ ଥିବୁ କେତେ ବାଡ଼ିଆ

ଥରେ ମାଡ଼ ଡରେ ଆଁ କଲାବେଳେ

ତୋ ଗର୍ଭେ ବ୍ରହ୍ମାଣ୍ଡ ଦେଖିଲେ ମାଆ ।୨।

ଖେଳୁ ଖେଳୁ ଖେଳ ଭାବେ ହୋଇ ଭୋଳ

ହୋଇଥିଲା ବେଳେ ତୁ ଅଖାଡୂଆ

ସଖାଙ୍କର ବିଧା ଖୁନ୍ଦା ଶୋଧାଯାକ

ତୋତେ ଲାଗୁ ଲଥିବ କି ଅଡୁଆରେ ।୩।

ଗଉଡୁଣୀଙ୍କର ଗାଲଚିପା ମାଡ଼

ତୋତେ ନିଶ୍ଚେ ଵାଗୁଥିବୁ ଗୁଡ଼ିଆ

ମୂଢ଼ ମଧୁ କହେ ମାଡ଼ ସହୁ ସ୍ନେହ୍ନେ

ଗର୍ବୀଲୋକର ତୁ ଘର ପୋଡ଼ିଆରେ ।୪।

-୦-

ସତ୍ୟଭାବ ଜଣାଣ

ଆଚ୍ଛାଲୀଳା

[ଭଜମନ ସବୁରି ଦୁଃଖ ହରା ବୃତ୍ତେ]

ଆଚ୍ଛା ଲୀଳା ଲଗାଇଅଛୁ ଆରେ କାଳିଆ

ଦେଖି ତୋ ଲୀଳା ହେଲି ହାଲିଆରେ ହାଲିଆରେ ହାଲିଆ ।।ପଦ।।

ଯେ ତୋର ଆଶ୍ରା କରିଲା ସେତ ଦୁଃଖ ପାଇଲା

ଦୀନବନ୍ଧୁ ନାମ ତୋର କାହିଁପାଇଁ ହୋଇଲା

ପାଣ୍ଡବେ କରି ଆଶ୍ରା ହେଲେ ଭଗାରି ହସା

ଅଜ୍ଞାତ ବନବାସେ ଭୋଗିଲେ କେତେ ଦଶା

ଭାରତ ଯୁଦ୍ଧ ସ୍ଥଳେ ତୋ କୁଟ ନୀତି ହିଂସା

ରସାରେ ହେଲା ଚମତ୍କାରିଆ ।।୧।।

ପତିତପାବନ ବାନା ନୀଳାଚଳେ ଉଡ଼ାଇ

ପତିତମାନଙ୍କୁ କିମ୍ପା ମାରୁଅଛ ସଢ଼ାଇ

ବଢ଼େଇ ରୂପ ହୋଇ ନିଜ ରୂପ ଗଢ଼ାଇ

ଭକ୍ତି ରୂପ କଢ଼ାଇ ଭକ୍ତ ନେଉ ଅଡ଼ାଇ

ମନେ ଦେଇ ବଡ଼ାଇ ଭକ୍ତି ନେଉ ଛଡ଼ାଇ

ଗଡ଼ାଇ କରୁ କଲ ବଲିଆ ।୨।।

ସବୁ କଥା ସିନାହୁଏ ତୋର ଇଚ୍ଛାବଳରେ

ମନ୍ଦକୁ ଭଲ ଭଲକୁ ମନ୍ଦ କରୁ ସଂସାରେ ।

ଆବଲ୍ୟ ଅସତୀଟି ଅଟଇ ଦେବୀକୁନ୍ତୀ

ସ୍ୱର୍ଗପୁରକୁ ନେଇ ଦେଲୁ ତୁ ସୁଖ ଶାନ୍ତି

ସୀତା ଆବଲ୍ୟ ସତୀ ଲଭିଲେ ଅଧୋରତି

ହୋଇଲେ ଶେଷେ ରସାତଳିଆ ।।୩।।

ତୋ ବିଂଶ ନାଶି ତୁ ସିନା କୁଳବୁଡ଼ା ହୋଇଲୁ

ଯେ ମାଗେ ତା କୁଳେ କିଆଁ ଛୁଆ ଖଣ୍ଡେ ନଦେଲୁ ।

କେ ତୋର ନାମ ଧରି କହେ ମନୁଁ ଭୋକେ ମଲି

କେ ପୁଣି ପାପ କରି କରଇ ବାବୁଗିରି

ଖପରା ଖଣ୍ଡେ ଧରି କେ ଖାଏ ମାଗିକରି

(ପୁଣ) କେ ଖାଏ ଧରି ସୁନା ଥାଳିଆ ।।୪।।

ଦାନ ଧର୍ମ କଲା ଲୋକ ସ୍ୱର୍ଗପୁରେ ବିହରେ

ସର୍ବସ୍ୱ ଦାନ ଦେଇଣ ବଳି ଗଲା ପାତାଳେ

ଖଣ୍ଟ ରତନାକର ସେ ପାପୀ ଅଜାମିଳ

ବେନି ପତିତ ନର ଗଲେ ବୈକୁଣ୍ଠପୁର

ମଧୁ ଶୁଣି ସେ ଗିର ଡାକଇ ନାମ ତୋର

(ଆଉ) କରିବୁ ନାହିଁ ହରବରିଆ ।।୫।।

*

ଜଣାଣ

[ଚକା ନୟନକୁ ପତିତ - ବୃତ୍ତେ]

ହେ ନଟ କୁଟିଆ ହଟହଟିଆ

ନୀଳ ଯମୁନା ତଟିନୀ ତଟିଆ

ରାଧା କାଖରୁ ଭାଙ୍ଗିଲ ମାଠିଆ

ଶୋଧା ଶୁଣୁ ଥାଅ ହୋଇ ଧେଟୁଆ ହେ ।

ରଟୁଛି ମୁଁ ହୋଇ ଠିଆ ହେ ।

ଚିନ୍ତୁଅଛି ତବ ବ୍ରଜ ଲୀଳା ଭାବ

ଶୁଣି ନ ହୁଅ ଗଣ୍ଠିଆ ହେ ।୧।

ଗୋରୁଗୋଠିଆ ହେ ପ୍ରେମ ପାଠୁଆ

ନଦୀ ଘାଟିଆ ହେ ନୂଆ ନାଟୁଆ

ବାଙ୍କ ନେତ୍ରିଆ ହେ ପୀତ ପଟିଆ

ଅଝଟ ଝଟିଆ ଉନମତିଆ ହେ ।

କପଟିଆ ଲମ୍ପଟିଆ ହେ ।

ଅରାତି ଗତିଆ ଅଗୋଷ୍ଠୀ ଗୋଷ୍ଠିଆ

ସତୀ ଛାତି କରତିଆ ହେ ।୨।

ବ୍ରଜ ଧୂଳିଆ ହେ ହୁରୁ ଜୁରିଆ

ଘନ କାଳିଆ ହେ ବନମାଳୀଆ

ଗିରି ତୋଳିଆ ହେ ତରୁ ତଳିଆ

ମୟୁର ଚୂଳିଆ କାଳୀ ଦଳିଆ ହେ ।

ସୁନ୍ଦରିଆ ହୁନ୍ଦରିଆ ହେ ।

ନନ୍ଦ ହୃଦାନନ୍ଦ ପୂର୍ଣ୍ଣଚନ୍ଦ୍ର ପଦ

ତଳେ ଦିଅ ମୋତେ ଠାଆ ହେ ।୩।

ନିନ୍ଦା ବାଧା ଶୋଧା ଖୁନ୍ଦା ପାଇଲ

ରାଧା ଭାବରେ ବିହ୍ୱଳ ହୋଇଲ

ଧନ୍ଦା ଫନ୍ଦାସବୁ କରିଣ ଦୂର

ବନ୍ଦାଇଲେ ଗୋପୀ ତବ ପୟର ହେ ।

ବୃନ୍ଦାବନେ ରାସ କଲ ହେ

କନ୍ଦାଇଣ ଦେଲ ମଧୁର ଅନ୍ତର

ପଦାମୃତେ ନ ତୋଷିଲ ହେ ।୪।

 

ଗାଳି

ଦଗାଦାର ନଟବର ଠକ ଠାକୁର

କପଟୀ ଲମ୍ପଟୀ ତୁମେ ଅସଲ ଚୋର ।ପଦ।

ଦଧି ଦୁଗ୍‌ଧ ନବନୀତ ଗୋପେ ଚୋରାଇ

ତଥାପି ମନ ତୃପତ ହୋଇଲା ନାହିଁ

ରାଧା ମନ ଚୋରି କରିଲହେ ହରି

ଜଟିଳା କୁଟିଳାଠାରୁ ଶୋଧା ଶୁଣିଲ ।୧।

ଅଳପ ଦିନରେ ମୁଁ ଆସିବି କହିଣ

ମଥୁରା ଗଲ ଗୋପୀଙ୍କି ଠକି ଦେଇଣ,

ଡକାଇତ ଶ୍ୟାମ, ରୁକ୍ମିଣୀ ହରିଣ

ଶିଶୁପାଳକୁ ନିରାଶ କରିଣ ଦେଲ ୨।

ଛଦ୍ମ ବେଶେ ଜଳନ୍ଧର ନାରୀ ହରିଣ-

ବଧକଲ ଦୈତ୍ୟ ଏ କି କ୍ଷତ୍ରିୟ ପଣ ?

ପୁଣି କପଟରେ, ବୈଲୋଚନ ଘରେ,

ତା ନାରୀ ହୋଇଣ ତାକୁ ପ୍ରାଣ ନାଶିଲ ।୩।

କୂଟନୀତି ବିଶାରଦ ହେ ଚକ୍ରୀ ଶ୍ରେଷ୍ଠ

କୁରୁ ବଂଶ ନାଶ କଲ କରି ଚକ୍ରାନ୍ତ

ଦୁଷ୍ଟ ନାଶିବାକୁ, ଧର୍ମ ସ୍ଥାପିବାକୁ,

ମଧୁ କହେ ଯାହା ଇଛା ତା କରି ପାର ।୪।

*

ସତ୍ୟଭାବ ଜଣାଣ

[ମନ ଭ୍ରମରାରେ – ଏ ଫୁଲରେ - ବୃତ୍ତେ]

ଜଣା ପଡ଼ିଲା ହେ ତୁମ୍ଭର ପ୍ରଭୁ ପଣିଆ

ଭିତରେ କପଟ ପୁରିଛି ବହୁତ ବାହାରକୁ ସୁନ୍ଦରିଆ ।ପଦ।

ମାୟାର ବଜାର ମେଲାଇ କେବଳ ଭଣ୍ଡାଉଅଛ ଦୁନିଆଁ

ମାୟା କାରବାର ବେପାର ତୁମ୍ଭର ତୁମ୍ଭେତ ଅତି ଗଣ୍ଠିଆ ।୧।

ନିର୍ମାୟା ବୋଲିଣ କହିବି କେସନ ଜାଣ ତୁମ୍ଭେ ବଡ଼ ମାୟା

ଦୟାନିଧି ବୋଲିଣ କହିବି କିପରି ନାହିଁତ ଟିକିଏ ଦୟା ।୨।

ସମଦର୍ଶୀ ବୋଲି ପଡୁଅଛି ହୁରୀ ମୋ ପାଇଁ କି ଭେଦ କିଆଁ

କ୍ଷମାନିଧି ନାମ ସଂସାରେ ବହିଣ ଦୋଷୀକି ଦଣ୍ଡୁଛ ଯାହା ।୩।

ଚୁଚୁନ୍ଦ୍ରା ନାଗର ସଙ୍ଗର ବିଚାର ଭାବିଣ ହୁଏ ଛାନିଆଁ

ଛାଡ଼ିଲେ ମରିଲି ନ ଛାଡ଼ିଲେ ମଲି ମଧୁର କର୍ମ କି ଏହା ।୪।

-୦-

କାଳିଆ ଭାବ

(ତୋ ଘେନି ତମାଳ ଶ୍ୟାମ – ବୃତ୍ତେ)

କାଳିଆ ଫୁଲମାଳିଆ ଆଚ୍ଛା ଲୀଳା କରିଲା ରେ

ତା ନାମକୁ ଯେ ଧରିଲା ତା କଥା ତ ସରିଲାରେ ।।ପଦ।।

ଚାହିଁଲା ଯେ ତା ମୂରତି ପାଇଲା ସେ ଅପଖ୍ୟାତି

ଧ୍ୟାଇଲା ଯେ ସେ ପୀରତି ପ୍ରାଣ ଥାଉ ମରିଲାରେ ।।୧।।

ସେ ଫାନ୍ଦରେ ଯେ ପଡ଼ିଲା ତା ନିନ୍ଦା ଦୁଃଖ ବଢିଲା

ଛାଡ଼ିଲା ଯେ ଭକ୍ତି ଲୀଳା ସେ ସୁଖରେ ଚଳିଲାରେ ।।୨।।

ଗାଇଲା ଯେ ତାର ଗୁଣ ହୋଇଲା ସେ ହୀନିମାନ

ଅପମାନ ବିପଦକୁ ଆଗକରି ବରିଲା ରେ ।।୩।।

ଧନ୍ୟ ସେ ବିଚିତ୍ର ମାୟା ଦେଖା ହେଉଛି ହାଲିଆ

ମଧୁ ବୋଲେ ତାର ଦୟା ହେଲେ ଜୀବ ତରିଲାରେ ।।୪।।

***

ପ୍ରେମାଭିମାନ ଜଣାଣ

ତୁମେ ଏଡ଼େ ଦଗାଦିଆ କପଟିଆ ନିର୍ଦ୍ଦୟ ହୋଲବ ବୋଲି

ଆଗରୁ ମୁଁ ଯେବେ, ଜାଣିଥାନ୍ତି ତେବେ, ନାମ ନ ଥାଆନ୍ତି ଧରି ।୧।

ଆମ୍ୱ ବୋଲି କହି, ଆମଡ଼ା ଦେଖାଇ, ଠକି ଦେଲ ଆହେ ଠକ

କରି ଦେଲ ଯାହା, କି କହିବି ତାହା, ହୃଦ ହୁଏ ଦକ ଦକ ।୨।

କରି କରି ଚିନ୍ତା, ହୁଏ ହଟହଟା, ଛଟ ପଟ ହୁଏ ନିତି ।

କହିବି କାହାକୁ, କହନ୍ତି ଯାହାକୁ, ସିଏ ତ କରେ ଏମିତି ।୩।

ହୁଏ ହଇରାଣ, ଯାଉନାହିଁ ପ୍ରାଣ, ବୃଥା ବଞ୍ଚିଛି କାହିଁକି ।

ଯାହାଲାଗି ପ୍ରାଣ, କରନ୍ତି ଧାରଣ, ସେତ ଦେଖାଏ ଭେଲିକି ।୪।

ଶୋଷେ କରିବାକୁ, ମାଗନ୍ତେ ମୁଁ ଜଳ, ମରୀଚିକା ଦେଖାଇଲା ।

ଧାଇଁ ଧାଇଁ ମୁହିଁ ଥକିଗଲି କାହିଁ, ନ ପାଇ ପାରିଲି ଜଳ ।୫।

ତୃଷ୍ଣା ନ ମେଣ୍ଟିଲା, ଆଶା ନ ପୁରିଲା, ଚାଲିଗଲା ବୃଥା ବେଳ ।

ଏଡ଼ିକି ହଟିଆ, ହୋଇଣ ନିର୍ଦ୍ଦୟା, ଠକୁଅଛ ବାରମ୍ୱାର ।୬।

ହେ ଠକ ପୁରୁଷ, ନ କର ନିରାଶ, କରୁଛି ଦୁଃଖେ ବିନତି ।

ପଶୁଛି ଶରଣ ନ ହୁଅ ଦାରୁଣ ପକାଅ କରୁଣା ଦୃଷ୍ଟି ।୭।

*

ରାସଲୀଳା ତତ୍ତ୍ୱ

ପ୍ରଶ୍ନ – କାହିଁ ପାଇଁ ରସଲୀଳା,

ବୃନ୍ଦାବନେ କଲେ ସେ ନନ୍ଦ ବଳା

ସେ ନନ୍ଦ ବଳା ଗୋ,

କହି ଦେବ ମୋତେ ଭଲା ।।୧।।

ଉତ୍ତର – ଦଳିବାକୁ କାମଗର୍ବ,

ପୂର୍ଣ୍ଣପାଇଁ ଗୋପୀ ଇଚ୍ଛା ମାଧବ

ଇଚ୍ଛା ମାଧବ ଗୋ,

କଲେ ରାସ ଲୀଳା ଭାବ ।।୨।।

ପ୍ରଶ୍ନ – କଦମ୍ଭ ମୂଳେ କିମ୍ପାଇଁ,

ବିଜୟ ହୋଇଣ କଳା କହ୍ନାଇ

କଳା କହ୍ନାଇ ଗୋ,

ଗୋପୀ ପ୍ରେମେ ହେଲେ ବାଇ ।୩।।

ଉତ୍ତର – ଗୋଲ କଦମ୍ୱ କୁସୁମ,

ଗୋଲାକର ଶୂନ୍ୟ ଚିନ୍ତିଣ ଶ୍ୟାମ

ଚିନ୍ତିଣ ଶ୍ୟାମ ଗୋ,

ଗୋପୀ ଆତ୍ମେ କଲେ ପ୍ରେମ ।।୪।।

ପ୍ରଶ୍ନ – ଗୋପୀତ ମାଇପୀ ଜାତି,

ସେ କେହ୍ନେ ଜାଣିଲେ ଜ୍ଞାନର ରୀତି

ଜ୍ଞାନର ରୀତି ଗୋ,

କହି ତୁଟାଅ ମୋ ଭ୍ରାନ୍ତି ।।୫।।

ଉତ୍ତର – ମୁନି ଥିଲେ ସେ ପୂର୍ବେରେ,

ଜ୍ଞାନ, ଭକ୍ତି, କର୍ମ ଜାଣିଣ ଥିଲେ

ଜାଣିଣ ଥିଲେ ଗୋ,

ଗୋପୀ ହୋଇ ପ୍ରେମ କଲେ ।।୬।।

ପ୍ରଶ୍ନ – ପ୍ରୀତିରେ ଥାଏ ଦୂରିତ,

ଗୋପୀ ପ୍ରୀତି କିମ୍ପା ହୋଇଲା ଶ୍ରେଷ୍ଠ

ହୋଇଲା ଶ୍ରେଷ୍ଠ ଗୋ,

ବୁଝାଇ ଦିଅ ଏ ଅର୍ଥ ।।୭।।

ଉତ୍ତର - ଠ ଶୂନ୍ୟରେ ରଖି ମନ,

ଗୋପୀ କୃଷ୍ଣ ଯେଣୁ ହେଲେ ମିଳନ

ହେଲେ ମିଳନ ଗୋ,

ପାପ ହୋଇଗଲା ଶୂନ୍ୟ ।।୮।।

ପ୍ରଶ୍ନ – କିଏ ନିତ୍ୟ ବୃନ୍ଦାବନ,

କାହିଁ ରାସକଲେ ରାଧା ମୋହନ

ରାଧା ମୋହନ ଗୋ,

ବୁଝାଇ ଦିଅ ସେ ଜ୍ଞାନ ।।୯।।

ଉତ୍ତର – ଭୁରୁଶେଷ ମସ୍ତକରେ,

ବାରେ ନିତ୍ୟ ବୃନ୍ଦାବନ କୁଞ୍ଜରେ

ବନ କୁଞ୍ଜରେ ଗୋ,

ରାଧାକୃଷ୍ଣ ରାସ କଲେ ।।୧୦।।

ପ୍ରଶ୍ନ - ରାଧା କିଏ କିଏ ଶ୍ୟାମ,

ବୁଝାଇ କହିବ ଜ୍ଞାନ ମରମ

ଜ୍ଞାନ ମରମ ଗୋ,

ନବୁଝିଣ ହୁଏ ଭ୍ରମ ।୧୧।।

ଉତ୍ତର- ଜୀବ ପରମ ମୂରତି,

ଏ ଦୁଇଟି ରାଧା ଶ୍ୟାମ ମୃରତି

ଶ୍ୟାମ ମୂରତି ଗୋ

ସର୍ବ ଘଟେ ବିହରନ୍ତି ।।୧୨।।

ପ୍ରଶ୍ନ- କେଉଁ ଅଷ୍ଟ ସଖୀ ଗଣ,

କରାନ୍ତି ସେ ରାଧା କୃଷ୍ଣ ମିଳନ

କୃଷ୍ଣ ମିଳନ ଗୋ,

କହିଦେବ ବୁଝାଇଣ ।।୧୩।।

ଉତ୍ତର – ବିବେକିନୀସ, ବୁଦ୍ଧିମତୀ,

ପ୍ରେମ, ଦୟାଶୀଳା ସୁଜ୍ଞାନ ନେତ୍ରୀ

ସେ ସତ୍ୟାବତୀ ଗୋ,

ଶାନ୍ତି, କ୍ଷମା ଏ ଅଷ୍ଟଟି ।।୧୪।।

ପ୍ରଶ୍ନ – କେଉଁ କୃପାବଳୁ କୁହ,

ମିଳନ୍ତି ଶ୍ରୀରାଧା ଗୋବିନ୍ଦ ଦ୍ୱନ୍ଦ

ଗୋବିନ୍ଦ ଦ୍ୱନ୍ଦ ଗୋ,

କହିଣ ନାଶ ସଂଶୟ ।।୧୫।।

ଉତ୍ତର – ପୂର୍ଣ୍ଣ ଇଚ୍ଛା ପୂର୍ଣ୍ଣମାସୀ,

ସେ ଗୁରୁ କୃପାରୁ କାଳିଆ ଶଶି

କାଳିଆ ଶଶି ଗୋ,

ରାଧା ଆତ୍ମେ ଗଲେ ମିଶି ଗୋ ।୧୬।।

ପ୍ରଶ୍ନ – ଭବୁ ତରେ କେହ୍ନେ ଜୀବ,

କିପରି ଭାବିବି ସେ ରାସ ଭାବ,

ସେ ରାସ ଭାବ ଗୋ,

ବୁଝାଇ ଏହା କହିବ ।।୧୭।।

ଉତ୍ତର – ଅଷ୍ଟସଖୀ ସଙ୍ଗେ ଯାଇ,

ଧ୍ୟାନେ ପରମାତ୍ମେ ଜୀବ ମିଶାଇ

ଜୀବ ମିଶାଇ ଗୋ,

ରାସ ତତ୍ତ୍ୱ ଚିନ୍ତ ରହି ।।୧୮।।

ପ୍ରଶ୍ନ- ଧରୁଛି ତବ ଚରଣ,

କହିଦିଅ କେହ୍ନେ କରିବି ଧ୍ୟାନ,

କରିବି ଧ୍ୟାନ ଗୋ,

ଛିଣ୍ଡିବ ଭବ ବନ୍ଧନ ।୧୯।।

ଉତ୍ତର – ଗୀତେ କହେ ମଧୁଦାସ

ଭୁରୁପରେ ଚିତ୍ତ ନେତ୍ରକୁ ଖୋସ

ନେତ୍ରକୁ ଖୋସ ଗୋ,

ଛିଣ୍ଡିଯିବ ଭବ ଫାଶ ।୨୦।।

***

ନିତ୍ୟରାସ – ସଖୀବେଶ

[କୀର୍ତ୍ତନ ସୁର]

ଶୁଣମତି ଆଳଇ ବାଜଇ ମୁରଲୀ

ଅସ୍ଥିର ହୁଏ ମାନସ ଗୋ

ଆସ ସଖୀ ଆସ ସଜାଇବା ବେଶ

ହେବ ନିତ୍ୟ ସ୍ଥଳ ରାସ ଗୋ

ବିଶ୍ୱାସ ସିନ୍ଦୁର କପୋଳେ ଘେନ

ଧଇର୍ଯ୍ୟ ଶାନ୍ତିକି କର ଚନ୍ଦନ ।୧।

କୁଙ୍କୁମ ସତ୍‌ଗୁଣେ ଲଗାଅ ଯତନେ

ବିଲଜ୍ୟା ବସନ ପିନ୍ଧ ଗୋ

ନିର୍ଲୋଭ ରତନ ମାଳା କଣ୍ଠେ ପିନ୍ଧି

ଭକ୍ତି ପୁଷ୍ପେ ବେଣି ବାନ୍ଧ ଗୋ

ଅହିଂସାକୁ ହସ୍ତେ କର ଗୋ ଚୁଡ଼ୀ

ତେବେ ତାଙ୍କୁ କୋଳେ ପାରିବୁ ଭିଡ଼ି ୨।

ଶରଧା ଆନନ୍ଦ କୁଚ ପରେ ପିନ୍ଧ

କାଞ୍ଚଲା ଶୋଭା ଦିଶିବ ଗୋ

ସାତ୍ତ୍ୟୁକ ବସୁଣୀ ନାସିକାରେ ଘେନି

କ୍ଷମା ନୁପୂର ପିନ୍ଧିବ ଗୋ

ଦୟା ଜ୍ଞାନ କଳା ନେତ୍ରେ ଲଗାଇ

ପ୍ରେମ କଟାକ୍ଷରେ ଚାହିଁବା ସହି ୩।

ଏହି ବେଶ ହୋଇ ଚାଲ ଆଗୋ ସହୀ

ବାର କୁଞ୍ଜରେ ପଶିବା ଗୋ

ଜୀବ ରାଧା ନେଇ ପରଂକୃଷ୍ଣେ ଦେଇ

ନିତ୍ୟ ରାସରେ ମଜ୍ଜିବା ଗୋ

ମଧୁଦାସ କହେ ସେ ରାସଭାବ

ସତେ ହେତୁ ଦୂତୀ ମିଳାଇ ଦେବ ୪।

*

ରାସଲୀଳା ତତ୍ତ୍ୱ

[ତୋ ଘେନି ତମାଳ ଶ୍ୟାମ - ବୃତ୍ତେ]

ରାସଲୀଳା ଲାଗିଅଛି ଶେଷ ମସ୍ତକ ଉପରେ

ନିଶ୍ୱାସ ପ୍ରଶ୍ୱାସ ବାଟେ ପଶ ମତି ସଶୀ ବାରେ ।ପଦ।

ବେଶ ହୋଇ ନିବୃତ୍ତିରେ, ବସ ଏକାନ୍ତ ଧ୍ୟାନରେ

ବିଶ୍ୱବାସ ଭୁଲିବାରେ ରସ ବିନ୍ଦୁ ଆକାଶରେ ।୧।

ରସିକା ରସିକ ବେନି, ହଂସ ସ୍ୱରୂପରେ ଜାଣି

ଦୋଷ ଭୁଲି ଗୁଣେ ରମି ଗୁଣ ଗୁରୁ ଚିନ୍ତ ଠୁଳେ ।୨।

ହାସ୍ୟ ରସ ରହସ୍ୟରେ, ରସନାହିଁ କେତେବେଳେ

ରସନିଧି ଚରଣରେ ଆଶା ରଖ ନିରନ୍ତରେ ।୩।

ବିଷୟା ମାୟା ନ ଚିନ୍ତି, ଘୋଷ ରାସ ଲୀଳା ପ୍ରୀତି

ଆସକ୍ତ ନକର ମତି କାମ, କ୍ରୋଧ, ଲୋଭାଦିରେ ।୪।

ବାସକଲେ ଠ ମନ୍ଦିରେ, ରାସ ଦେଖିବ ନେତ୍ରରେ

ଭାସନାହିଁ ଭବ ଜଳେ ଚେତା କର ମଧୂ ବୋଲେ ।୫।

*

ନିତ୍ୟ ବୃନ୍ଦାବନ ତତ୍ତ୍ୱ

[ନାନା କୁଞ୍ଜେ ଗଲି ଧୀରା - ବୃତ୍ତେ]

ଚାଲ ସେହି ବୃନ୍ଦବନ,

ଯେଉଁସ୍ଥାନେ ନାହିଁ କାମ, କ୍ରୋଧ, ଅଭିମାନ ।ପଦ।

ଯହିଁ ନାହିଁ ଚନ୍ଦ୍ରାବଳୀ, ଅଛି ଅର୍ଦ୍ଧଚନ୍ଦ୍ର ଭଳି

ଅର୍ଦ୍ଧମାତ୍ରା ଉପରେ ସେ ସ୍ଥାନ ଶୋଭନ ୧।

ନାହିଁ ବୃଷଭାନୁ ସୁତା, ଅଛି ଆହାଦିନୀ ନିତ୍ୟା

ନାହିଁ ସେ ରାଧାର ଚିନ୍ତା ଦୁର୍ଜ୍ଜୟ ମାନ ୨।

ନାହିଁ ବିଚ୍ଛେଦ ବିରହ, ପ୍ରୀତିହୁଏ ଅହରହ

ପରମାତ୍ମା ଜୀବ ଅହଂ ହୁଏ ମିଳନ ୩।

ନାହିଁ ବିପଦ ବିଷାଦ, ଅଛି ଜ୍ଞାନ ପ୍ରେମାନନ୍ଦ

ଗୁରୁ କୃପା ଲଭି ତହିଁ କର ଗମନ ୪।

ଗୁରୁ ପୂର୍ଣ୍ଣମାସୀ ମାଆ, ପୂର୍ଣ୍ଣ ନିଷ୍କାମ ନିର୍ମାୟା

ମଧୁ କହେ ପୂଜୁଥାଆ ସେ ତୋ ସୁମନ ।୫।

***

ଶ୍ରୀ ରାଧାକୃଷ୍ଣ ପ୍ରେମ ବା ଆତ୍ମା ପ୍ରେମତତ୍ତ୍ୱ

ପ୍ରେମ ଡ଼ୋରେ ବନ୍ଧା ସେହି ପ୍ରେମ ମୂରତି

ଆତ୍ମାକୁ ଆତ୍ମା ସ୍ମରିଣ ପ୍ରେମ କରନ୍ତି ।ପଦ।।

ହୃଦରେ ହୃଦ ମିଶାନ୍ତି, ମାତ୍ର ମନ ନ ଲଗାନ୍ତି

ଭ୍ରୂପରେ ନେତ୍ର ସ୍ଥାପନ୍ତି ଜ୍ଞାନେ ମଜ୍ଜନ୍ତି ।।୧।।

ପଦ୍ମପତ୍ରେ ଜଳ ସମ, ଲାଗି ଅଲଗା ହୋଇଣ

ମନୁଁ କଳ୍ପଣା ତେଜିଣ କରନ୍ତି ପ୍ରୀତି ।।୨।।

ସେ ପ୍ରେମରେ ପାପ ନାହିଁ, ପାପ ନାଶ ହୁଏ ତହିଁ

ରଜବୀର୍ଯ୍ୟ ନ ଟଳଇ ନାହିଁ ଆସକ୍ତି ।।୩।।

ସତ୍ୟ ଶାନ୍ତି ଦୟା କ୍ଷମା, ସେ ପ୍ରେମର ଅଟେ ସୀମା

ଜ୍ଞାନଯୋଗେ ପ୍ରେମ ଠଣା ଭକ୍ତେ ବୁଝନ୍ତି ।।୪।।

ଧର୍ମ ଅର୍ଥ କାମ ମୁକ୍ତି ସେ ପ୍ରେମ ପଛେ ଗୋଡ଼ାନ୍ତି

ଭାଷେ ମଧୁଦାସ ମତି ଭଜରେ ଚେତି ।।୫।।

*

ଆତ୍ମାପ୍ରେମ ଭାବନା

[ଆଜ ମୁଁ ଦେଖଇଲି ଘନ - ବୃତ୍ତେ]

ସଙ୍ଗାତ, ସେ ପ୍ରେମ ଅତି ପବିତ୍ର ଗୋ

ସେ ଆତ୍ମା ପ୍ରେମରେ ନାହିଁ ଦୁରିତ ଗୋ ।ପଦ।

କର୍ମେନ୍ଦ୍ରିୟରୁ ଅତୀତ, ଓଁ କାର ବିନ୍ଦୁରେ ସ୍ଥିତ

ନିତ୍ୟ ସତ୍ୟ ଅପ୍ରାକୃତ ଅବ୍ୟକ୍ତ ଗୋ ।୧।

ସେହି ନିତ୍ୟ ସତ୍ୟ ଭାବ, ଭ୍ରାନ୍ତ ଜନଙ୍କୁ ଦୁର୍ଲ୍ଲଭ

ଭକ୍ତ ଜନଙ୍କୁ ସୁଲ୍ଲଭ ଅତ୍ୟନ୍ତ ଗୋ ।୨।

କେବେ କି ସୁଯୋଗ ହେବ, କରିବି ସେ ଆତ୍ମାଭାବ

ପରମରେ ଜୀବ ହେବ ମିଳିତ ଗୋ ।୩।

ଭାବି ସେ ଭାବ ଭକତି, ଥର ଥର ଥରେ ଛାତି

ସତେ ଲଭିବି ସେ ପ୍ରୀତି ଅମୃତ ଗୋ ।୪।

ମଧୁ କହେ ସଖି ମତି, କି ହେବ ଭାବିଲେ ନିତି

ନିୟତିର ଗତି ଅତି ବିଚିତ୍ର ଗୋ ।୫।

***

ଶପଥ

(ସ-ଅନୁପ୍ରାସ)

ସହିଛି ସହୁଛି ସହିବି କହୁଛି ଶପଥ କରୁଛି ପଦଛୁଇଁ

ସଂକଟ ଭୀଷଣ, କଷଣ, ଦୂଷଣ, ଭୂଷଣ କରିବି ଅଙ୍ଗେନେଇ ।ପଦ।

ସରମ କାହାକୁ କାହିଁକି କରିବି, ସରସ କରିଣ ଜୀବନ ଗଢିବି

ସର୍ବହରାପଛେ ହୋଇଲେହୋଇବି, ସଳଖେ ସତ୍‌ପଥେ ଯିବିଧାଇଁ ।୧।

ସାର ପଦାର୍ଥକୁ ଚିନ୍ତା ନ କରିଣ, ସଂସାର ମାୟାରେ କିମ୍ପା ହେବିମଗ୍ନ

ସାହାସ କରିଣ ଯିବି ସେହିସ୍ଥାନ ସ୍ୱର୍ଗଠାରୁ ଶ୍ରେଷ୍ଠ ଯେଉଁ ଭୂଇଁ ।୨।

ସୁଖଠାରୁ ଶ୍ରେଷ୍ଠ ସୁଖ ଯହିଁ ଅଛି, ସେ ପଦାର୍ଥ କେଭଁ ନ ପାରିବିମୂର୍ଚ୍ଛି

ସଦାନନ୍ଦ ରସ ଯହିଁରୁ ଝରୁଛି ସଂଖଳିଟି ମୋର ଅଟେ ସେହି ।୩।

ସପନ ସମାନ ସଂସାରର ମାୟା, ସତ୍ୟ ନୁହେଁ ସବୁ ମିଛି ମିଛିକିଆ

ସମୟ ସାରିବି ଅସତ୍ୟରେ କିଆଁ ସତ୍ୟେ ମିଶୁ ମଧୁ ପ୍ରାଣ ବାଇ ।୪।

-୦-

ଆଧ୍ୟାତ୍ମିକ ଜ୍ଞାନ ଭଜନ

ଅସଲ ଭଜନ

ଆସଲ ଭଜନ ମନ କହୁଅଛି ଶୁଣ

ଅନୁଭବ କଲେ ଜୀବ ହେବ ପରିତ୍ରାଣ ।୧।

ଅଗାଡ଼ି ଚକ୍ଷୁ କୁଟି କି ଲଭିବୁ ଚାଉଳ

ଅଚିର ମରୀଚିକାକୁ ଭାବୁ କିଆଁ ଜଳ ।୨।

ଅସାର ସଂସାର ମାୟା କୁହୁକକୁ ଚାହିଁ

ଅକାରଣେ ଭଲା ଭୁଲୁଅଛୁ କାହିଁ ପାଇଁ ।୩।

ଅନ୍ତିମ ସମୟେ କିଛି ତୋ ସଙ୍ଗେ ନ ଯିବ

ଅନାଇଁ ଥିବେ ସରବେ ତୋ ପ୍ରାଣ ଛାଡ଼ିବ ୪।

ଅତି ପ୍ରିୟ ବୋଲି ତୁହି ଯାହାକୁ ଭାବୁଛୁ

ଅଶାନ୍ତି ଦେବେଟି ସେହି ବୁଝି ନ ପାରୁଛୁ ୫।

“ଅହଂ ବ୍ରହ୍ମାସ୍ମି” ତତ୍ତ୍ୱର ଅର୍ଥକୁ ନ ବୁଝୁ

ଅଛି ତୋ ଠାରେ ସେ ତତ୍ତ୍ୱ ବାହ୍ୟେ କିମ୍ପା ଖୋଜୁ ୬।

ଅଣାକ୍ଷର ବୋଲି ଯେଉଁ ଭଜନ ତୁ କରୁ

ଅକ୍ଷର ନୁହେଁ ସେ କିମ୍ପା ଅକ୍ଷରରେ ଭୁଲୁ ? ।୭।

ଅବସାଣ ସେହି ତୁହି ବସାଣେ ନ ଭୁଲ

ଅଛି ସର୍ବ ଘଟେ ବସି ହୋଇ ଏକାକ୍ଷର ।୮।

ଅବାଡ଼ ଛାୟା ଜ୍ୟୋତିକି ନ କର ବିଶ୍ୱାସ

ଅନ୍ତର୍ଯ୍ୟାମୀଙ୍କୁ ଅନ୍ତରେ କର ପରକାଶ ୯।

ଅଜ୍ୟୋତିଟି ସେହି ଜ୍ୟୋତି ନୁହଇଁଟି ତିଳେ

ଅନାଇଁ ନ ହୁଏ କେତେ ଜ୍ୟୋତି ତହୁଁ କ୍ଷରେ ୧୦।

ଅସ୍ତ ଉଦୟ ରହିଛି ଜ୍ୟୋତି ସ୍ୱରୂପର

ଅବିରତ ସମଭାବାପନ୍ନ ଅଜ୍ୟୋତିର ।୧୧।

ଅଣ ମଣ୍ଡଳରେ ସେହି ଅଜ୍ୟୋତିର ସ୍ଥାନ

ଅନୁସରିଛନ୍ତି ଶିବ, ବ୍ରହ୍ମା, ଯୋଗୀ ଜନ ।୧୨।

ଅନ୍ତ ନ ପାଇଲେ ଶେଷଦେବ ଦେବଗଣ

ଅନିର୍ବଜନୀୟ ଅଟେ ସେ ପ୍ରେମ ଜ୍ଞାନ ।୧୩।

ଅସଂଖ୍ୟ ତପନ ସମ ଜ୍ୟୋତି ଭଗବାନ

ଅବନୀରେ କେବା ତାଙ୍କୁ କରିବ ଦର୍ଶନ ।୧୪।

ଅନେକ ସାଧୁ, ସନ୍ନ୍ୟାସୀ ଯୋଗୀ, ମୁନି, ଯତି

ଅନୁମାନେ କିଏ କେତେ ପ୍ରକାରେ କହନ୍ତି ୧୫।

ଅନୁଭବ କରିଥିଲେ ଯେଉଁ ସାଧୁ ନରେ

ଅହିଂସା, ସାମ୍ୟ ସହିଷ୍ଣୁ, ସତ୍ୟେ ଚଳୁଥିଲେ ୧୬।

ଅପ୍ରିୟ ନ ହୋଇ କାହା ସଙ୍ଗରେ ସେ ତିଳେ

ଅନାଦି ପ୍ରଭୁଙ୍କୁ ସର୍ବଘଟେ ଭାବୁଥିଲେ ।୧୭।

ଅନୁରାଗେ ଆତ୍ମାମୟ ଜଗତକୁ ଚିନ୍ତି

ଅବିରତେ ଆତ୍ମାନନ୍ଦେ ମଗ୍ନ ହୁଅ ମତି ।୧୮।

ଅନ୍ୟରେ ନ ହୋଇ ଭ୍ରମ ଆତ୍ମାନନ୍ଦେ ରସ

ଅଜ୍ଞାନ ଦୁରିତ ସବୁ ହୋଇଯିବ ଧ୍ୱଂସ ।୧୯।

ଅମୃତ ସନ୍ତାନ ତୁହି ବିଷୟାରୁ ଭିନ୍ନ

ଅଣବାବୁଆ ପରାୟ ସାରୁ କିମ୍ପା ଦିନ ।୨୦।

ଅସ୍ଥିର ନ ହୋଇ ଚିନ୍ତା କର ବସି ବାରେ

ଅମୂଲ୍ୟ ଧନ ଅଛି ତୋ ହୃଦୟ ଭଣ୍ଡାରେ ୨୧।

ଅନ୍ଧପ୍ରାୟେ ଅନ୍ୟ ଆଡ଼େ ଦରାଣ୍ଡୁ କାହିଁକି

ଅରୂପ ବୋଲି ନିଜକୁ ଭଜ ତୁ ଏଣିକି ।୨୨।

ଅବିନାଶୀ ତୁହି କିମ୍ପା ଭାବୁ ନାଶ କଥା

ଅମର ଅମୃତ ଭାବେ ବେଗେ ହୁଅ ଚେତା ।୨୩।

ଅଶଂସୟୀ ହୋଇ ସଦା ଆତ୍ମାନନ୍ଦେ ରସ

ଅସଲ ଭଜନ ଏହି କହେ ମଧୁ ଦାସ ।୨୪।

-୦-

ମହାଶୂନ୍ୟ ଭଜନ

[ଚକା ନୟନକୁ ପତିତ - ବୃତ୍ତେ]

ଯେତେବେଳେ ନଥିଲା ଠୂଳ ଶୂନ୍ୟ, ନଥିଲା ଏକାକ୍ଷର ତତ୍ତ୍ୱଜ୍ଞାନ,

ନଥିଲା ବେଦ, କର୍ମ, ମନ୍ତ୍ର, ତନ୍ତ୍ର, ନଥିଲା ଗୀତା ଶାସ୍ତ୍ର ଭାଗବତ ହେ,

ଥିଲା ଏକା ମହାଶୂନ୍ୟ ହେ,

ସମସ୍ତଙ୍କଠାରୁ ଶ୍ରେଷ୍ଠ ସେହି ଗୁରୁ ନିରାକାର ନିରଞ୍ଜନ ହେ ୧।

ଅବ୍ୟକ୍ତ ଗୁପତ ଭଜନ ଏହି, ତୁ ଯେଣୁ ବିଶ୍ୱାସୀ ତୋତେ କହଇ,

ଅନୁମାନ ଦ୍ୱାରେ ହୋଇ ଚେତନ, ହୃଦେ ସାଇତିବୁ କରି ଯତନ ହେ,

ସାଧୁ ଗଣ୍ଠିଧନ ଏହି ଯେ,

ଅସାଧୁ ମୂରୁଖ, ତର୍କୀ, ଗର୍ବୀ ଠକ ଲୋକଙ୍କୁ କହିବୁ ନାହିଁ ହେ ।୨।

ଯେଉଁ ସମୟରେ କେହି ନଥିଲେ, ମହାଶୂନ୍ୟ ରହିଥିଲା ସେ ବେଳେ,

ମହାଶୂନ୍ୟରୁ ଖସିଲା ଅରେହ, ଅରେହରୁ ରେହ ରେହରୁ ଅ ହେ,

କଳ୍ପଣାରୁ ଆଦି ଶକ୍ତି ହେ,

ଅଶବ୍ଦରୁ ଶବ୍ଦ ବିନ୍ଦୁମଧ୍ୟେଁ ନାଦ ମିଶନ୍ତେ ହୋଇଲା ସୃଷ୍ଟି ହେ ।୩।

ତାଳୁକା ସନ୍ଧିରେ ବ୍ରହ୍ମ ମନ୍ଦିର, ତହିଁ ମହାଜ୍ୟୋତି ମଣ୍ଡଳାକାର

ତହୁଁ ବ୍ରହ୍ମଜ୍ଞାନ ଆଶୁଛି କ୍ଷରି, ସେ ଭଜନ ଯେବେ ପାରିବୁ କରି ହେ,

ତେବେ ହେବୁ ଭଜନିଆଁ ହେ,

ଅସଂଖ୍ୟ ତପନ ସମ ଜ୍ୟୋତିବ୍ରହ୍ମ ଧ୍ୟାଇଲେ ତୁଟିବ କାୟା ହେ ।୪।

ଦେହରଖି ଯେବେ ମରି ପାରିବୁ, ତେବେ ସେ ଭଜନ କରି ପାରିବୁ

ଅତି ବିଷମ ସେ ଜ୍ଞାନ ସାଧନ, ଅଜଣା ଅକର୍ମ ବ୍ରହ୍ମ ଭଜନ ହେ,

ଲଭିଣ ଶ୍ରୀ ଗୁରୁ ଦୟା ହେ,

ବ୍ରାହ୍ମ ମୁହୂର୍ତ୍ତରେ ନିଶ୍ଚଳ ମନରେ ବସି ଭଜ ଏକୁଟିଆ ହେ ।୫।

ବିନ୍ଦୁ ଠୁଳ ଚିନ୍ତିବୁ ମସ୍ତକରେ, ନେତ୍ରକୁ ରଖିବୁ ଭୁରୁ ଉପରେ,

ତ୍ରିକୁଟେ ତ୍ରିପୁରା ଅଛନ୍ତିଦ୍ୱାରୀ, ମାତା ସେବାଯେବେ ପାରିବୁ କରିହେ,

ପିତା ବ୍ରହ୍ମକୁ ଭେଟିବୁ ହେ,

ଭଜନର ଭାବ କରି ଅନୁଭବ ଶିଶୁମ୍ନା ବାଟେ ଗମିବୁ ହେ ୬।

ପ୍ରଥମେ ମଣ୍ଡଲା ଆଙ୍କିବୁ ମନେ, ଅର୍ଦ୍ଧଚନ୍ଦ୍ରରୂପ ଚିନ୍ତିବୁ ଧ୍ୟାନେ,

ତିନିକୁ ରଖିବୁ ଯତନ କରି , ତା ପାଶେ ବଅ ଫଳା ଦେବୁ ବାରି ହେ,

ଚାରିବେଦ ତାର ତଳ ହେ,

ବେନି ପାଶେ ଓଲଟା ସାତ ଯେ ଗାର ଦେଇ ଭଜ ଅଣାକ୍ଷର ହେ ।୭।

ଅଣାକ୍ଷର ତତ୍ତ୍ୱ ତାଳୁରେ ସ୍ଥାପି, ବ୍ରହ୍ମ ଏକାକ୍ଷର ଭୁରୁରେ ଜପି,

ତାରକ ଦଣ୍ଡକ କୁଣ୍ଡଳି ରଖି, ଅର୍ଦ୍ଧମାତ୍ରା ବିନ୍ଦୁ ନାସାଗ୍ରେ ଯୋଖି ହେ,

ଭବାବ୍‌ଧିରୁ ତରି ଯାଅ ହେ,

ମଧୁବାସ ବୋଲେ ଏ ଭଜନ କଲେ ନ ରହେ କାଳକୁ ଭୟହେ ।୮।

-୦-

ମହାବ୍ରହ୍ମ ଭଜନ

ମହାଶୂନ୍ୟ ମଣ୍ଡଳରେ ମହା ବ୍ରହ୍ମ ଖେଳେ ।

କୋଟି କୋଟି ନିଆଁ ଜ୍ୟୋତି ସେହିଠାରେ ଜଳେ ୧।

ସେ ଜ୍ୟୋତି ନିଆଁ ଭଜିଲେ ହେବୁ ଭଜନିଆଁ ।

ସେ ଭଜନେ ନାଶ ହୁଏ ପାପ, ଦୋଷ, ମାୟା ୨।

ସେହି ଜ୍ଞାନ ଜ୍ୟୋତି ନିଆଁ ଦର୍ଶନ କରିଲେ ।

ବଣା ନ ହୋଇବୁ ଆଉ ମାୟା ଅନ୍ଧକାରେ ୩।

ଶୁଣରେ ମନୁଆଁ ଶିଷ୍ୟ କହୁଛି ବୁଝାଇ ।

ମାୟା ସଂସାରରେ ତୋତେ ନ ତାରିବେ କେହି ୪।

ମୋର ମୋର ବୋଲି କିମ୍ପା ହେଉଅଛୁ ଭୋଳ ।

ଅନ୍ତିମ ବେଳରେ ସର୍ବେ ହେବେ ସାତ ପର ୫।

ଦୁର୍ଲ୍ଲଭ ମାନବ ଜନ୍ମ ମିଳିବ ଆଉ ।

ସରି ଯାଉଅଛି ତୋ ଆୟୁଷ କହୁ କହୁ ।୬।

କ୍ଷଣ ଭଙ୍ଗୁର ଶରୀର ନୁହଇଟି ଚିତ୍ତ ।

ଚିରସ୍ଥାୟୀ ବ୍ରହ୍ମଜ୍ଞାନେ ମଜ୍ଜ ନିରନ୍ତର ।୭।

ବ୍ରହ୍ମ ଭଜ, ବ୍ରହ୍ମ ଜପ, ବ୍ରହ୍ମ କର ଚିନ୍ତା ।

ବ୍ରହ୍ମ ବିନା ଆଉ ସବୁ ଅଟେ ମିଥ୍ୟା କଥା ୮।

ବ୍ରହ୍ମସତ୍ୟ ବିଶ୍ୱମିଥ୍ୟା ଏହା କର ଚେତା ।

ଭୁଲିଯାଅ ମାୟା ଗୃହ ଧନ, ସୁତ, ସୁତା ।୯।

ଦେହ ବିଶ୍ୱ ଭୁଲି ଦୃଢେ କର ବ୍ରହ୍ମ ଧ୍ୟାନ

ଅଣ ସୂତ୍ର ମାଳାଧରି ଲଗାଅ ଭଜନ ।୧୦।

ଆସୁଛି ଯାଉଛି ହଂସ ତହିଁ ରଖ ଲୟ ।

ତ୍ରିକୁଟ ସନ୍ଧିରେ ତୋର ମନ ଧର ଥୟ ।୧୧।

ଅମନ ମନ୍ଦିରେ ପଶଇ ରସିଥିବୁ ତୁହି ।

ବଙ୍କୁନାଳେ ହଂସ ପକ୍ଷୀ ଖେଳାଇବୁ ନେଇ ୧୨।

ଉଡ଼ିଗଲେ ହଂସ ପକ୍ଷୀ ଆଉ ନ ପାରିବୁ ।

ଖେଳାଇ ପାରିଲେ ହଂସ ସଂଜ୍ୟୋତି ଦେଖିବୁ ୧୩।

ଅନାମ ମଣ୍ଡଳେ ବିଜେ ସଂଜ୍ୟୋତି ମୂରତି ।

ଅନାମ ପରମ ହଂସ ଜୀବ ଜପେ ନିତି ।୧୪।

ଏକୋଇଶ ସହସ୍ର ଛଅଶ ସେ ଭଜନ ।

ପ୍ରତିଦିନ ଜପେ ସେ ଯେ ମୁଁ ସେ, ସୋଽହଂ ଜ୍ଞାନ ।୧୫।

ଏହି ଭଜନଟି ସାର କହିଲି ବୁଝାଇ ।

ଏହା ବିନା ଆଉ ବେଶୀ ନ କହନ୍ତି କେହି ୧୬।

ଅନ୍ୟ ଭଜନ ଏ ସଙ୍ଗେ ନ ହେବ ସମାନ ।

ଅନ୍ତିମ ବେଳକୁ ଲୋଡା ଏ ବ୍ରହ୍ମ ଭଜନ ।୧୭।

ଯେତେବେଳେ କଫ, ବାତ, ପୀତ ରୁଦ୍ଧ ହେବ ।

ଚିତାକଟା, ମାଳାଜପ, ହୋଇ ନ ପାରିବ ।୧୮।

ଗୋଡ ହାତ ନ ହଲିବ ମୁଖ ନ ଫିଟିବ ।

ସେ ବେଳେ ଅଜପା ଆତ୍ମା ଜ୍ଞାନ ଲୋଡା ହେବ । ।୧୯।

ଏତିକି ବେଳୁ ଅଭ୍ୟାସି ବାୟୁ ମନ ସୂତ୍ରେ ।

ସଦ୍‌ଗୁରୁ ସେବା କରିଣ ବୁଝ ହୃଦଗତେ । ।୨୦।

ଯାହାଙ୍କର ନାହିଁ କାମ, କ୍ରୋଧ, ଲୋଭ, ହିଂସା ।

ସେ ସଦ୍‌ଗୁରୁ ସେବାକରି କର ସେ ଭରସା । ।୨୧।

କାମୀ, କ୍ରୋଧୀ, ଲୋଭୀ, ଗୁରୁ ଅନେକ ଅଛନ୍ତି ।

ବ୍ରହ୍ମଭାବ ନ ବୁଝାଇ ଭବରେ ପକାନ୍ତି ।୨୨।

ଭାବେନ୍ଦ୍ରିୟ ଭୁଲି ବ୍ରହ୍ମ ଭାବାନନ୍ଦେ ମଜ୍ଜ ।

ଓଁ କାର ବିନ୍ଦୁ ଉପରେ ଗୁରୁ କୃଷ୍ଣ ଭଜ । ।୨୩।

ବଛାବଛି ବେଳ ଆଶି ପଡ଼ିଗଲା ବାବୁ ।

ଯେତେକ ବାଳୁଙ୍ଗା ଦିନେ ଚିହ୍ନା ହେବେ ସବୁ । ।୨୪।

ଥଟ୍ଟା ପରିହାସ ଗର୍ବେ ନିନ୍ଦିବେ ଅନେକ ।

ପାଞ୍ଚ ସାତ ଏକ ପରେ ଠିକି ଯିବେ ଠକ । ।୨୫।

ବକ ସମ ବାର ଘରେ ରଖିଥିବୁ ଚେତା ।

ଜୋବରା ପରିକ୍ଷାରେ ନ ହେବୁ ହଟ ହଟା । ୨୬।

ଜୀବ ଗଲା ବାଟ ଗୋଟି ଜୋବର ଅଟଇ ।

କଟକ ଜୋବରା ଭାବି ନ ଭ୍ରମିବୁ ତୁହି । ।୨୭।

ବାଇ ଆସେ ଯାଏ ଯହିଁ ତହିଁ କର ଲୟ ।

ଯହିଁ ଇଚ୍ଛଆ ତହିଁ ରହି କର୍ମ କରୁଥାଅ । ।୨୮।

ଅନ୍ତରରେ ଚିନ୍ତାକରି ଅନ୍ତର୍ଯ୍ୟାମୀ ନାମ ।

ବାହ୍ୟେ ଲୋକ ଶିକ୍ଷା ପାଇଁ କରୁଥାଅ କର୍ମ । ।୨୯।

ଦୃଢ଼ ଭାବେ ପାଳୁଥାଅ ଶ୍ରୀ ଗୁରୁ ଆଦେଶ ।

ସାର ଜ୍ଞାନ ଉପଦେଶ କହେ ମଧୁ ଦାସ । ।୩୦।

***

ଅତି ଗୁପ୍ତ ଜ୍ଞାନ ତତ୍ତ୍ୱ

ଅର୍ଜ୍ଜୁନ ଜୀବକୁ କହୁଛନ୍ତି ଗୁରୁ ଶ୍ୟାମ

ଅତି ଗୁପ୍ତଜ୍ଞାନ ତତ୍ତ୍ୱ କର୍ଣ୍ଣ ଡ଼େରି ଶୁଣ । ।୧।

ଆସୁଛି ଯାଉଛି ମୁହିଁ ତୋ ନାସିକା ବାଟେ

ଆତ୍ମା ହୋଇ ହଂସ ରୂପେ ଖେଳୁଛି ତୋ ଘଟେ । ।୨।

ଇଷ୍ଟ ଗୁରୁ ମୁହିଁ ତୋର ହୃଦରେ ଖେଳଇ

ଇତର ପରାଏ ଆଉ ନ ଭାବିବୁ ତୁହି । ।୩।

ଉଠି ବ୍ରାହ୍ମ ମୁହୂର୍ତ୍ତରୁ କରୁଥିବୁ ଚିନ୍ତା

ଉଜାଣି ସୂତ୍ରରେ ବ୍ରହ୍ମେ ରଖିଥିବୁ ଚେତା । ।୪।

ରୂପ ସ୍ଥୂଳରେ ମୁଁ ସୂକ୍ଷ୍ମ, କାରଣ ମୂରତି

ଋଷି ସାଧୁ ଏ ମୁଁ ଆତ୍ମା ବୋଲି ଧ୍ୟାଉଛନ୍ତି । ।୫।

ଲୁଚି ଅଛି ଗୁପ୍ତେ ତୋର ତାଳୁକା ମନ୍ଦିରେ

ଲୁହ ବୁହାଇ ପ୍ରେମରେ ଖୋଜ ତୁ ଧ୍ୟାନରେ । ।୬।

ଏକାଗ୍ରତା ମନ କରି ଏକାନ୍ତରେ ବସ ।

ଐରି ଷଢ଼ ରିପୁ ଜିଣି ଲଭ ଭାବରସ ।୭।

ଓଲା ସମ ହୋଇ ବ୍ରହ୍ମ ରସାବ୍‌ଧିରେ ମଜ୍ଜ ।

ଔରସ ମାୟା ଆଶାଦି ମାନସରୁ ତେଜ ।୮।

ଅଂ ଅହକ ତତ୍ତ୍‌ମସୀ ନାମ ତତ୍ତ୍ୱ ହେଜି ।

ଅମନ ମନ୍ଦିରେ ପଶଇ ବ୍ରହ୍ମେ ହୁଅ ରାଜି ।୯।

କାମନା କର୍ମରେ ଆଉ ନ ବଜାଇ ମତି ।

କର୍ମ କରି ନିଷ୍କାମରେ ଲଭ ଶୁଦ୍ଧ ଭକ୍ତି ।୧୦।

ଖଳ ଦୁଷ୍ଟ ସଙ୍ଗ ବେଗେ କର ପରିତ୍ୟାଗ ।

ଖାଣ୍ଟି ସାଧୁ ଆତ୍ମା ସଙ୍ଗେ କର ଅନୁରାଗ ୧୧।

ଗୁରୁ ସାଧୁ ହୃଦେ ମୁହିଁ ଆତ୍ମାରୂପେ ଖେଳେ ।

ଗୁପ୍ତଭାବେ ରହି ଯୁଗେ ଯୁଗେ ଲୀଳା କରେ ୧୨।

ଘଟାକାଶେ ଘନମାୟା ଘୋଡ଼ାଇଣ ମୁହିଁ ।

ଘୋଣ ଦ୍ୱାରେ ଯାଏ ଆସେ ନ ଚିହ୍ନିନ୍ତି କେହି ୧୩।

ଉଇଁ ଅଛି ଏକାକ୍ଷର ରୂପେ ସର୍ବ ଘଟେ ।

ଉଗ୍ର ପଣ ତେଜି ଦରଶନ କର ମୋତେ ୧୪।

ଚର୍ମ, ରକ୍ତ, ମାଂସ, ଦେହ ରୂପ ମୁଁ ନୁହଁଇ ।

ଚିର ସନାତନ ସତ୍ୟ ଧର୍ମ ଅଟେ ମୁହିଁ ।୧୫।

ଛାର କାୟା ମାୟାକୁ ତୁ ନ କରି ବିଶ୍ୱାସ ।

ଛାଡ଼ିଣ କ୍ଷଣିକ ସୁଖ ଭଜ ଆତ୍ମା ହଂସ ।୧୬।

ଜପ ତପ ଚିତା ମାଳା ତୀର୍ଥରେ କି କାର୍ଯ୍ୟ ।

ଜୀବାତ୍ମା ତୋ ନାମ ନିଜେ ନିଜ ନାମ ହେଜ ୧୭।

ଝୁରୁଛୁ କାହିଁକି ମିଥ୍ୟା ସଂସାରର କଥା ।

ଝଗଡ଼ା ତୁଟାଇ ନିଜେ କିଏ କର ଚେତା । ।୧୮।

ନୁହଁଇ କେହି କାହାର ସବୁ ମିଥ୍ୟା ଭାବ ।

ନିଜକୁ ନିଜେ ଚିହ୍ନିଣ ବ୍ରହ୍ମାନନ୍ଦ ଲଭ ।୧୯।

ଟଳିଯିବ କ୍ଷଣକରେ ତୋର ମାୟା ଦେହ ।

ଟାଣ ପଣ ତେଜି ବ୍ରହ୍ମ ଚିନ୍ତ ଅହରହ ।୨୦।

ଠାକୁର ଗୁରୁଙ୍କୁ ଠୁଳେ ନ ଠଉରାଇଲେ ।

ଠୁକର ପାଇବୁ ନିଶ୍ଚେ ଠକ ବେଳ ହେଲେ ୨୧।

ଡରୁଛୁ କାହିଁକି ନିଜେ ଜୀବାତ୍ମା ଅମର ।

ଡାକି କହୁଛ ଏ ବ୍ରହ୍ମ ଜ୍ଞାନ ହେତୁ କର ।୨୨।

ଢୁଳାଇ ନ ପଡ଼ି ଜ୍ଞାନ ନେତ୍ରେ ମୋତେ ଚାହାଁ ।

ଢଳି ନେତ୍ରେ ନାଚେ ତୁହି ମୁହିଁ ଏକ କାୟା ୨୩।

ଅସଲ ସ୍ୱରୂପକୁ ତୁ କଲେ ଅନୁଭବ ।

ଅସାର ସଂସାରେ ତୋର ମନ ନ ଲାଗିବ ।୨୪।

ତର୍କ, ହିଂସା, କାମ, କ୍ରୋଧ, ଲୋଭ ହେବ ଦୂର ।

ତୁହି ମୁହିଁ ସେହି ସବୁ ହେବ ଏକାକ୍ଷର ।୨୫।

ଥଟ୍ଟା ପରିହାସ ଆଉ ରହି ନ ପାରିବ ।

ଥୟ ହୋଇଯିବ ମନ ମାୟା ନ ଲାଗିବ ।୨୬।

ଦେହାଭିମାନ ମନରୁ ହୋଇଯିବ କ୍ଷୟ ।

ଦେଖିବୁ ଯାହା ନେତ୍ରରେ ହେବ ବ୍ରହ୍ମମୟ ।୨୭।

ଧରିଛି ନାନା ସ୍ୱରୂପ ମୁହିଁ ଏକମାତ୍ର

ଧରିବୁ ଦୃଢ଼ ବିଶ୍ୱାସେ ଏହି ଦୀକ୍ଷା ମନ୍ତ୍ର ।୨୮।

ନ ଭୁଲିବୁ ଆଉ ନାନ ବାକ୍ୟେ ନାନା ଶାସ୍ତ୍ରେ

ନ ଲାଗିଣ କ ହିଁ ଖେଳୁଅଛି ମୁଁ ନିର୍ଲିପ୍ତେ ।୨୯।

ପରମ ଜୀବ ମୁଣ ରାଧା ଶ୍ୟାମ ଏକା ହୋଇ

ପ୍ରେମ କରେ ସର୍ବ ହୃଦେ ନ ଜାଣନ୍ତି କେହି ୩୦।

ଫଳ କାମନାରେ ନରେ ହେଉଛନ୍ତି ବଣା

ଫିଟିଲେ ଜ୍ଞାନ ନୟନ ପ୍ରେମ ହୁଏ ଜଣା ।୩୧।

ବାରଙ୍ଗୁଳ ସ୍ଥାନ ମୁଖ ମଣ୍ଡଳରେ ଯହିଁ

ବାରେ ଯାଇ ଆସି ସେହି କୁଞ୍ଜେ ଖେଳେ ମୁହିଁ ୩୨।

ଭକ୍ତ ଭାବରେ ଶୂନ୍ୟରୁ ରୂପ ଧରି ଖେଳେ

ଭାବରେ ମଜ୍ଜଇ ବସି ଭକତ ହୃଦରେ ।୩୩।

ମାଆ, ବାପା, ପୁଅ, ସ୍ୱାମୀ , ଦାସ ମୁଁ ଭକ୍ତର

ମୋ ଭାବ ଲୀଳା କେହି ନ କରନ୍ତି ଠଉର ୩୪।

ଯେ ମୋତେ ଦୃଢ଼େ ଭଜେ ମୁଁ ଦିଏ କଷ୍ଟ ନିନ୍ଦା

ଯାତନା କଷଟି ଶିଳେ କଷୁଥାଏ ସଦା ।୩୫।

ରହେ ଜନ୍ମ ମୃତ୍ୟୁ ଦୁଃଖ ସୁଖରେ ଯେ ସମ

ରମିଣ ଆତ୍ମାରେ ଆତ୍ମା ସେ ବୁଝ ମୋ ପ୍ରେମ ୩୬।

ଲଭିବାକୁ ପ୍ରେମ ନାନ ରୂପେ ମୁଁ ଖେଳଇ

ଲୋଭ, କାମ, କ୍ରୋଧ ଥିଲେ ମୋ ପ୍ରେମ ନୁହଇଁ ୩୭।

ବ୍ରହ୍ମ ସର୍ବବ୍ୟାପୀ ସର୍ବ କର୍ତ୍ତା ଯେ ଭାବଇ

ବ୍ରହ୍ମମୟ ସର୍ବ ଭାବି ନିଜତ୍ତ୍ୱ ଭୁଲଇ ।୩୮।

ଶିଷ୍ୟ, ଗୁରୁ, ସାଧୁ, କୃଷ୍ଣ ମୁହିଁ ଏକ ମାତ୍ର

ଶରୀର ଭୁଲି ଶରୀରେ ଆତ୍ମେ ରଖ ଚିତ୍ତ ।୩୯।

ସଂସାରଟି ମିଥ୍ୟା ମାତ୍ର ଆତ୍ମା ଏକା ସତ୍ୟ

ସେହି ଆତ୍ମା ଅଟୁ ତୁହି ସୋଽହଂ ଜ୍ଞାନ ତତ୍ତ୍ୱ ୪୦।

ଷଡ୍‌ ଐରିରୁ ଅତୀତ ମୁଁ ଭାବେ ଭାବି ସଦା

ଷଡ଼ଘ୍ରିଂ ମନକୁ କରି ଲଭ ବ୍ରହ୍ମ ସୁଧା ।୪୧।

ହଟାଇ ଭ୍ରାନ୍ତି କଳ୍ପନା ଏହି ଭାବେ ରସ

ହେତୁ କଲେ ପାଶେ ମିଳେ ମୁକ୍ତି ପ୍ରେମୋଲ୍ଲାସ ।୪୨।

କ୍ଷେତ୍ର ପ୍ରାଚୀ ଶୁଶୁମ୍ନାରେ ଚିନ୍ତି ବ୍ରହ୍ମ ରସ

କ୍ଷୋଭ ତ୍ୟାଗ କର ମଧୁ ସୁମାନସ ହଂସ ୪୩।

*

Unknown

ଅଭୟ ଚରଣ ଭଜନ

[ଅମଳ କମଳ ଚରଣକୁ ମନ - ବୃତ୍ତେ]

ଅଭୟ ଚରଣ ଚିନ୍ତାକରି ମନ ନିଭୟ ତୁ ହୋଇ ଯାଆ ରେ

ଅନ୍ତର ନକରି ଅନ୍ତର୍ଯ୍ୟମୀ ବୋଲି ନିରନ୍ତର ଭାବୁଥାଆରେ ପଦ।

ଅଛି ଯେବେ ତୋର ଦୃଢ଼ତା ବିଶ୍ୱାସ

ଅର୍ପଣ କରିଛୁ ଯେବେ ତ ସର୍ବସ୍ୱ

ଅବିଶ୍ୟ ସେ ପ୍ରଭୁ କ୍ଷମିବେ ତୋ ଦୋଷ

ଅନ୍ତିମ ହୋଇବେ ସାହା ରେ ୧।

ଅନୁଗ୍ରହ କଲେ ପ୍ରଭୁ ଭଗବାନ

ଅଦୃଷ୍ଟ ଲିଖନ ନିଶ୍ଚେ ହେବ ଆନ

ଅମୃତ ସନ୍ତାନ ନିଜକୁ ଭାବିଣ

ଅହଂ ତେଜି ତାଙ୍କୁ ଧ୍ୟାଆ ରେ ୨।

ଅସାର ପଦାର୍ଥେ ଆସକ୍ତ ନ ହୋଇ

ଅହିଂସା ସତ୍ୟରେ ଜଳୁଥାଆ ତୁହି

ଅନୁରାଗେ ଅନୁଭବ କର ରହି

ଅଛନ୍ତି ସେ ପ୍ରାଣ ବାଆ ରେ ୩।

ଅତି ଦୟାଳୁ ସେ ପରମ ପୁରୁଷ

ଅଭିନ୍ନ ଅଟନ୍ତି ମଧୁବାସ

ଅଧୀର ନ ହୋଇ, ହୋଇ ସଦା ତୋଷ

ଆସ୍ୟେ ତାଙ୍କ ନାମ ଗାଆ ରେ ।୪।

*

କୃଷ୍ଣ ଭଜନ

[ନବ ନିରଦ ନିନ୍ଦିତ କାନ୍ତିଧରଂ - ବୃତ୍ତେ]

ଦୃଢଭାବେ କୃଷ୍ଣ ନାମ ଥାଅ ଧରି,

କୃଢ କଢ ପାପ ଉଡ଼ିଯିବ ଚାଲି

ଛାଡ କାମ କ୍ରୋଧାଦି ଷଡ ଅଇରି,

ମୂଢ଼ ମନ ଭଜ କୃଷ୍ଣ କୃଷ୍ଣ ବୋଲି ।୧।

ବଡ଼ ବଡ଼ ବୋଲି ବଡ଼ାଇ ନ କରି,

ଗଢ ଜୀବନକୁ ସତ୍ୟ ଧର୍ମ ପାଳି

ଲୋଡ କୃଷ୍ଣ ପ୍ରେମୀଭକ୍ତ ପାଦଧୂଳି,

ମୂଢ଼ ମନ ଭଜ କୃଷ୍ଣ କୃଷ୍ଣ ବୋଲି ।୨।

ପଡ ସାଧୁ ପାଦେ ନିଜ ସ୍ୱାର୍ଥେ ଦଳି,

ପଛ ଧର୍ମ ଶାସ୍ତ୍ର କହ ହରିହରି

ବୁଡ କୃଷ୍ଣ ପ୍ରେମାବ୍‌ଧିରେ ସର୍ବ ଭୁଲି,

ମୂଢ଼ ମନ ଭଜ କୃଷ୍ଣ କୃଷ୍ଣ ବୋଲି ।୩।

ଜଡ଼ ପରାୟ ସଂସାର କ୍ଷେତ୍ରେ ଚଳି,

ମାଡ଼ ନିନ୍ଦା ଦୁଃଖ ସହ ଧୈର୍ଯ୍ୟ ଧରି

ଗେଡ ମଧୁ କହେ ପ୍ରେମେ ମାର ତାଳି,

ମୂଢ଼ ମନ ଭଜ କୃଷ୍ଣ କୃଷ୍ଣ ବୋଲି ।୪।

***

ମନେରଖ ଏ ଗୀର

ବାୟାଧନ ମନେ ରଖ,

ମନେ ପଖ ଏ ଗୀର

ଚୋରି, ନାରୀ, ହତ୍ୟା, ମିଥ୍ୟା ଚାରି କଥା

ତେଜି ଗୁରୁନାମ ଭଜନ କର ।ପଦ।

ଗୁରୁ ସ୍ୱୟଂବ୍ରହ୍ମ, ଗୁରୁ କୃଷ୍ଣ ରାମ

ଗୁରୁଙ୍କୁ ମନୁଷ୍ୟ ବୋଲି ନ ଭାଳ

ନର ଘଟେ ରହି ଯାହାଦେଲେ କହି

ସଂଶୟ ନ କରି ବିଶ୍ୱାସେ ସ୍ମର ୧।

ବାରମ୍ୱାର ତୋତେ କହୁଛି ନିରତେ

ବାହାର କଥାରେ କର୍ଣ୍ଣ ନ ଡ଼େର

ବାରଘର ତୋର ନାସାର ଅନିଳ

ତହିଁ ମଧ୍ୟେ ଜପ ଗୁରୁ ମନ୍ତର ।୨।

ନଶ୍ୱର ଏ ଘଟ ଆତ୍ମା ସାର ତତ୍ତ୍ୱ

ଲଘୁ ଦେହ ମାତ୍ର ଆତ୍ମାଟି ଚିର

କହେ ମଧୁଦାସ ଗୁରୁ ଆତ୍ମା ହଂସ

ଭଜନରେ ଜୀବ ହୁଏ ଉଦ୍ଧାର ।୩।

*

ଆସିବ ସେ ବେଳ

ଆସିବ ସେ ବେଳ ଯେଉଁ ଦିନ ତୋର ସବୁ ସ୍ନେହ ସୁଖ ତୁଟିବ

ଯେ ଥିବେ ନିଜର ହେବେ ସାତପର ଏକା ହୋଇ ପ୍ରାଣ ଛୁଟିବ ।ପଦ।

ଲୋଭ କରି କେତେ ସାଇତୁଛୁ ଧନ

ଦମ୍ଭ ଗର୍ବ ତୋର ସବୁ ହେବ ଚୂର୍ଣ୍ଣ

ଜୀବନ ଯୌବନ ମାନ ଅଭିମାନ କାଳ ସବୁ କଥା ଲୁଟିବ ।୧।

ଧରମ ପଥରେ ନ କଲୁ ଗମନ

ନରମ ନ ହୋଇ ହୋଇଲୁ ଗରମ

ପରମ ବ୍ରହ୍ମଙ୍କୁ ନ କରିଲୁ ଧ୍ୟାନ କର୍ମ ଦଶା ତୋତେ ଘାଣ୍ଟିବ ।୨।

ସାଧୁ ସୁଜନଙ୍କୁ ନ କଲୁ ଖାତର

ଆଧୁନିକେ ମଜ୍ଜି ଦେଖାଉ ଚାତର

ମଧୁ କହେ ତୋତେ ଦେଖି ହସେ କାଳ ନିଶ୍ଚେ ତୋ କପାଳ ଫାଟିବ

***

ନିଜେ କିଏ ?

ନିଜେ କିଏ ନିଜ କଥା ଚେତା କର ଚଞ୍ଚଳ

ଆପକୁ ଜାଣିଲେ ଆପେ ହେବୁ ଅଜ ଅମର । ।ପଦ।

କିଏ ତୋର ନିଜ ଘର କିଏ ସେ ଭଲା ନିଜର ?

ମନରୁ ସେ କଥା ତୋର ଗଲାଣିକି ପାଶୋର ୧।

ସଂସାର କୁଣିଆ ଘର ନ ରହିବୁ ନିରନ୍ତର

ମିଛେ ବୋଲୁ ମୋର ମୋର କେହି ନୁହେଁ କାହାର ୨।

କାହିଁକି ? କହୁଁ ଆସିଲୁ କି କର୍ମ ଏଠାରେ କରୁ

ଯେବେ ଜାଣି ନ ପାରିଲୁ ଶ୍ରୀଗୁରୁଙ୍କୁ ପଚାର ।୩।

ନିଜକୁ ନିଜେ ଚିହ୍ନିଲେ ଦୁଃଖେ ନ ରହିବ ତିଳେ

ମଧୁ ବୋଲେ ନିଜାତ୍ମାରେ କର ସୁଖ ଠଉର ।୪।

*

ଜ୍ଞାନୀ ଓ ଅଜ୍ଞାନୀ

[ନନ୍ଦସୁତ ମୋର ଜୀବିକା - ବୃତ୍ତେ]

ଜ୍ଞାନୀ ନିଜକୁ ଆତ୍ମା ମଣେ

ଅଜ୍ଞାନୀ ମଜ୍ଜଇ ଦେହାଭିମାନେ

ଅଜ୍ଞାନୀ ଆସକ୍ତ ହୁଅଇ କର୍ମରେ

ଜ୍ଞାନୀ କର୍ମ କରେ ନିର୍ଲିପ୍ତ ମନେ ପଦ।

ମୂଳ ସତ୍ୟ ତତ୍ତ୍ୱରେ ଚିତ୍ତ

ରୂପାନ୍ତରିତ କରେ ସନ୍ଥ

ଅସାଧୁ ସତତ ଚିନ୍ତେ ଦେହ ବିତ୍ତ

ଭ୍ରମଇଁ ଭବ ବୃଜିନ କାନନେ ।୧।

ଜୀବ ଅଟେ ଈଶ୍ୱର ଅଂଶ

ସଚ୍ଚିଦାନନ୍ଦ ଅବିନାଶ

ନିଜକୁ ଜୀବାତ୍ମା ନ ଚିନ୍ତି ମନୁଷ୍ୟ

ଅଶାନ୍ତି ଦୁଃଖ ଭୋଗଇ ଅଜ୍ଞାନେ ୨।

ମୁଁ ଦେହ ବୋଲିଣ ନ ଚିନ୍ତି

ମୁଁ ଆତ୍ମା ବୋଲି ଚିନ୍ତ ମତି

ମଧୁ ବୋଲେ ନିଜେ ନିଜକୁ ନ ଚେତି

ଅଶାନ୍ତି ଭୋଗୁଛୁ ସିନା ଜୀବନେ ୩।

*

ଆତ୍ମାମୟ ଏ ଜଗତ

[ରାଗ ଶଙ୍କର ଭରଣ]

ଆତ୍ମାମୟ ଏ ଜଗତ

ଚିତ୍ତ ଶୁଦ୍ଧି କରି ଦେଖ ଖୋଲି ଜ୍ଞାନ ନେତ୍ର ।ପଦ।।

ସର୍ବଠାରେ ବ୍ୟାପିଛନ୍ତି ଏକ ଆତ୍ମା ଚିନ୍ତ

ଆତ୍ମା ବିନା ବିଶ୍ୱେ ନାହିଁ ଅନ୍ୟ କିଛି ମାତ୍ର ।୧।।

ଆତ୍ମା ନିର୍ଗୁଣ ନିର୍ମଳ ଚିନ୍ମୟ ଶାଶ୍ୱତ

ସଚ୍ଚିଦାନନ୍ଦ, ଗୋବିନ୍ଦ, ଅନନ୍ତ, ଅଚ୍ୟୁତ ।।୨।।

ପାଳିଣ ଅହିଂସା, ସାମ୍ୟ, ଶାନ୍ତି, ମୈତ୍ରୀ ସତ୍ୟ

ସର୍ବ ଘଟେ ଆତ୍ମା ଭାବି କର ଲୋକ ହିତ ।୩।।

ଗୁରୁ ସେବି ଅନୁଭବ କର ଆତ୍ମା ତତ୍ତ୍ୱ

ମଧୁ କହେ ଗୁରୁ କୃପା ବିନା ସବୁ ବ୍ୟର୍ଥ ।।୪।।

*

ପାପୀକୁ ଘୃଣା ନ କରି ପାପକୁ ଘୃଣା କର

ପାପକୁ ସତତ ଘୃଣାକର ମାତ୍ର ପାପୀକୁ ଘୃଣା ନ କର

ଭଲ ଗୁଣ ବଳେ ମନ ଜୟ କଲେ ତେବେ ହେବୁ ବିଜ୍ଞ ନର ରେ

ମାନସ, ଅମାନୀକୁ ମାନ ଦିଅ ।

ଛୋଟ ଲୋକ ବୋଲି ଅନ୍ତରେ ନଭାଳି ଛୋଟରେ ସେ ଆତ୍ମା ଧ୍ୟାଅ ।୧।

ଯଦି ତୋତେ କେହି ନିର୍ଦୋଷେ ହଂସଇ ପ୍ରତିହିଂସା ତୁ ନ କର

କେ ଯଦି ତୋ ପ୍ରତି କରଇ ଅନୀତି ତାହାର ଦୋଷ ନ ଧର ରେ

ମାନସ, ସୁଗୁଣ କ୍ଷମା ଆଚର ।

ବୃକ୍ଷ ସମ ତୁହି ସହିଷ୍ଣୁ ବୋଲାଇ କର ପର ଉପକାର ରେ ।୨।

ପତିତ ବୋଲିଣ ଘୃଣା ନ କରିଣ ପାପୀକୁ କର ଆଦର

ପାପୀକୁ ବୁଝାଇ ଜ୍ଞାନ ଶିକ୍ଷା ଦେଇ ତା ପାପ କରାଅ ଦୁର ରେ

ମାନସ, ଗୁରୁ ଆଜ୍ଞା ମାନି ଚଳ ।

ମଧୁ ଦାସ ବୋଲେ ଗୁରୁ ଜ୍ଞାନାନଳେ ପାପ ଦୋଷ ସବୁ ଜାଳରେ ।୩।

-୦-

ସନାତନ ଧର୍ମ ଭଜନ

[ଆହେ ନୀଳ ଶଇଳ ପ୍ରବଳ - ବୃତ୍ତେ]

ଜାଗି ଉଠ ଚଞ୍ଚଳ ସକଳ ଭାଇ ଭଉଣୀ

ପାଳନ କର ସରବେ ସତ୍ୟ ଧର୍ମ ସୁବାଣୀ ପଦ।

ସତ୍ୟ ଧର୍ମ ବ୍ରହ୍ମମୟ ଚିନ୍ତ ସର୍ବ ପରାଣୀ

ସହୁଥାଅ ସର୍ବ ଯେହ୍ନେ ସହୁଅଛି ଧରଣୀ ।୧।

ଭବାବ୍‌ଧିରୁ ତର ଧରି ସମଭାବ ତରଣୀ

କଷଣ ଅପମାନକୁ କରୁଥାଅ ବରଣୀ ।୨।

ପ୍ରତିଷ୍ଠା ଗୌରବ ତଡ଼ି କର ଜ୍ଞାନ ଚାହାଁଣୀ

ଅଭିମାନକୁ ପାଦରେ ଦଳିଦିଅ ଏକ୍ଷଣି ।୩।

ଦଂଶନ କରିଦେବଟି ଅହମିକା ସର୍ପିଣୀ

ସାବଧାନେ ଚଳୁଥାଅ କରି ବ୍ରହ୍ମ ଭାଳେଣି ୪।

ନିତ୍ୟ ସତ୍ୟପଥ ସନାତନ ଧର୍ମ ସରଣି

ସେ ସତ୍ୟ ପଥରେ ଚଳ ମଧୁର ଏ ମାଗୁଣି ୫।

*

ଆତ୍ମା ଜ୍ଞାନେ ମିଳେ ଶାନ୍ତି

ଆତ୍ମାଜ୍ଞାନେ ମିଳେ ଶାନ୍ତି । ଆତ୍ମାକୁ ଆତ୍ମା ସ୍ମରି ଦିନ ଗତି ରେ

ବାଇଆ ମତି । କର ସେ ଆତ୍ମା ଭକତି ରେ ।୧।।

‘ମୁଁ ଦେହ’ ବୋଲି ନ ଚିନ୍ତି । ମୁଁ ଆତ୍ମା ବୋଲି ଚିନ୍ତାକର ନିତି ରେ

ବାଇଆ ମତି । ପର ଆତ୍ମେ କର ପ୍ରୀତି ରେ ।୨।।

ଜଡ କଳେବର ଗୋଟି । ତହିଁ ଚେତନ ଜୀବାତ୍ମା ତୁହିଟି ରେ

ବାଇଆ ମତି । ବୁଝ ସେବି ଗୁରୁ ମୂର୍ତ୍ତି ରେ ।୩।।

ଜଡ ଶରୀର ପ୍ରକୃତି । ତହିଁ ଯେବେ ତୋର ହେବ ଆସକ୍ତି ରେ

ବାଇଆ ମତି । ନ ପାଇବୁ ଶାନ୍ତି ମୁକ୍ତିରେ ।୪।।

ପ୍ରବୃତ୍ତି ଦିଏ ଅଶାନ୍ତି । ମାୟା ଆସକ୍ତିରୁ ବହନ ହଟିରେ

ବାଇଆ ମତି । ଶାଶ୍ୱତରେ ଦିଅ ଦୃଷ୍ଟିରେ ।୫।।

ଆତ୍ମା ଅରୂପ ଅଜ୍ୟୋତି । ଆତ୍ମାର ନାହିଁ ଜନ୍ମ, ମୃତ୍ୟୁ, ସ୍ଥିତି ରେ

ବାଇଆ ମତି । ଭଜ ଆମା ନାମ ଗୋଟି ରେ ।୬।।

ଜଟିଳ ସଂସାର ରୀତି । କହେ ମଧୁଦାସ ତତ୍ତ୍ୱ ଭାରତୀ ରେ

ବାଇଆ ମତି । ସୁର ନିଜ ନାମ ଚେତି ରେ ।୭।।

-୦-

ସନାତନ ଧର୍ମ ଭଜନ

[କଳା କଳେବର କହ୍ନାଇ ]

ଜାଗି ଉଠ ଭାଇ ଭଉଣୀ ଆଉ ହେଳା ନ କର

ମୋହ ମାୟା ନିଦ୍ରା ଭାଙ୍ଗିଣ ହେଜ ପ୍ରାଚୀର ଗୀର ୧।

ବହୁ କାଳରୁ ଯେଉଁ ଧର୍ମ ରହିଅଛି ଭାରତେ

ସେ ସନାତନ ସତ୍ୟ ଧର୍ମ ଚିନ୍ତା କର ସୁଚିତ୍ତେ ୨।

ସତ୍ୟ ଧର୍ମ ଅଟଇ ଆତ୍ମା ସେ ଧର୍ମେ ରଖ ମନ

ଆତ୍ମା ଜ୍ଞାନ ବିନା ମାନବ ହୁଏ ପଶୁ ସମାନ ୩।

ସକଳ ଜ୍ଞାନରୁ ପ୍ରଧାନ ଆତ୍ମା ଜ୍ଞାନ ଯେସନ

ସର୍ବ ଧର୍ମରୁ ଶ୍ରେଷ୍ଠ ଅଟେ ସତ୍ୟ ଧର୍ମ ତେସନ ।୪।

ଆଉ ସବୁ ଲଘୁ ଅଟଇ ଆତ୍ମାଟି ଗୁରୁଦେବ

ସେ ଗୁରୁ ଧର୍ମ ଶିକ୍ଷା କରି ରଖ ପୂରୁବ ଭାବ ୫।

ସନାତନ ଧର୍ମ ଭାବଟି ଅଟେ ଜୀବର ଶ୍ରେୟ

ମାୟିକ ଭବ ଭାବେ ଦୋଷେ ଦିଏ ଯାତନା ଭୟ ୬।

ମାୟାରେ ଆସକ୍ତ ନ ହୋଇ ପୂର୍ବ ସଂସ୍କୃତି ହେଜ

ଚିର ଶାନ୍ତି ଯଦି ଖୋଜୁଛ ଧର୍ମ ଭାବରେ ମଜ୍ଜ ୭।

*

ସନାତନ ବ୍ରହ୍ମ ଭଜନ

[ଶ୍ୟାମ ଶୀଖଣ୍ଡ ଚୁଳ - ବୃତ୍ତେ]

ମନ ମୋ କଥା ମାନ ।

ସନାତନ ବ୍ରହ୍ମକୁ କର ଭଜନ ରେ ।ପଦ।।

କ୍ଷଣସ୍ଥାୟୀରେ ଆଉ ନ ହୁଅ ମଗ୍ନ

ଚିର ସ୍ଥାୟୀ ଆତ୍ମାରେ ଲଭ ପ୍ରସନ୍ନ ରେ ।।୧।।

ଧର୍ମ ବିନା ମାନବ ପଶୁ ସମାନ

ଲାଭ କର ଏଣିକି ଧର୍ମ ଜୀବନରେ ।୨।।

ସନାତନଟି ନିତ୍ୟ ସତ୍ୟ ସୁଜ୍ଞାନ

ମହା ଶୂନ୍ୟରେ ସନାତନ ଆସ୍ଥାନ ରେ ।୩।।

ଲୋକ ଶିକ୍ଷା ନିମିତ୍ତ କର୍ମ କରିଣ

ଅନ୍ତରେ ଆତ୍ମା ତେଜ ବହନ ରେ ।୪।।

କହଇ ମଧୁଦାସ ହୁଅ ଚେତନ

ନଶ୍ୱର ଭୁଲି କର ଈଶ୍ୱର ଧ୍ୟାନ ରେ ।।୫।।

**

ସନାତନ ବ୍ରହ୍ମ ଭଜନ

[ଭଜମନ ବ୍ରହ୍ମବନ - ବୃତ୍ତେ]

ଭଜମନ ସନାତନ ବ୍ରହ୍ମ ନାମକୁ

ତେଜ ବେଗେ ହିଂସା, ଲୋଭ, କ୍ରୋଧ, କାମକୁ ପଦ।

ଲାଜ ଭୟ କରି ନଷ୍ଟ ବୁଝ ସନାତନ ତତ୍ତ୍ୱ

ହେଜ ଅକ୍ଷୟ ଅବ୍ୟୟ ପରଂବ୍ରହ୍ମକୁ ୧।

ଅଜ ଅମର ଶାଶ୍ୱତ ଉଜ୍ୱଳ ନିତ୍ୟ ଅନନ୍ତ

ସୂର୍ଯ୍ୟ କୋଟି ଜିଣି ଗାତ୍ର ମନୋରମକୁ ୨।

କାର୍ଯ୍ୟ କରିଣ ନିର୍ଲିପ୍ତେ ଭଞ୍ଜ ଜ୍ଞାନାଞ୍ଜନ ନେତ୍ରେ

ନଜର ରଖ ନିରତେ ଶୂନ୍ୟ ଧାମକୁ ୩।

ଜଞ୍ଜାଳରୁ ହଟି ଧୀରେ ମଜ୍ଜାଅ ମନ ବ୍ରହ୍ମରେ

ବୁଝାଇଣ ମଧୁ ବୋଲେ ଚିନ୍ତ ଧର୍ମକୁ ।୪।

***

ସନାତନ ବ୍ରହ୍ମ ଭଜନ

[ଖରାପ ତୁ ହେଲୁରେ - ବୃତ୍ତେ]

ଖରାପ ନ ହୁଅରେ ମନ ଖରାପ ନ ହୁଅରେ

ଖାଣ୍ଟି ସନାତନ ଧର୍ମ ପଥେ ମନ ଯାଅରେ ପଦ।

ଖିଆଲ ନ ମଣି ହରିନାମ ଜପୁଥାଅରେ

ଖେଳ ଘର ସଂସାରରେ ମନ ନ ମଜ୍ଜାଅରେ ୧।

ଖଳ କୁ ବାକ୍ୟକୁ ଚିନ୍ତ ଗନ୍ଧ ପୁଷ୍ପ ପ୍ରାୟରେ

ଖପା ନ ହୋଇଣ ସବୁ କଥା ସହୁଥାଅ ରେ ୨।

ଖୋଲା ମାନସେ ବିଶ୍ୱାସେ ପ୍ରଭୁ ରୂପ ଧ୍ୟାଅରେ

ଖାମିନ୍ଦଟି ନିତ୍ୟ ସତ୍ୟ ନିର୍ଗୁଣ ଚିନ୍ମୟରେ ୩।

ଖାଲି ଶୂନ୍ୟକୁ ଭଜିଲେ ତୁଟେ ଭବ ଭୟରେ

ଖାଦ ରୂପ ଚିନ୍ତୁଥିଲେ ଜୀବ ଲଭେ ଦେହରେ ୪।

ଖଟି ସର୍ବାତ୍ମା ସେବାରେ କର ନାମାଶ୍ରୟରେ

ଖାଣ୍ଟି କଥା କହେ ମଧୁ ବ୍ରହ୍ମେ ରଖ ଲୟରେ ୫।

***

ସତ୍ୟଧର୍ମ ପଥ

[ଭଜମନ ସବୁରି ଦୁଃଖହରା - ବୃତ୍ତେ]

ଯେବେ ସତ୍ୟଧର୍ମ ପଥେ ପଥୂକ ହୋଇବ

ସର୍ବାତ୍ମା ସମ ବୋଲି ଧ୍ୟାଇବ ।ପଦ।

କାମ, କ୍ରୋଧ, ଲୋଭ, ମୋହ, ମଦ ପୁଣି ମାତ୍ସାର୍ଯ୍ୟ

ଏ ଅସ୍ପୃଶ୍ୟଙ୍କୁ ନଛୁଇଁ କରୁଥାଅ ସୁକାର୍ଯ୍ୟ

ଛଅରିପୁ ଅସ୍ପର୍ଶ ନ କର କେଭେଁ ସ୍ପର୍ଶ

ଛୁଆଁ ଜାତି ମନୁଷ୍ୟ ଛୁଇଁଲେ ନାହିଁ ଦୋଷ

ଲେଶେ ଘୃଣା ନ କରି ଧ୍ୟାଇବ ୧।

ପର ଆତ୍ମା ପରମାତ୍ମା ବୋଲି ନିତି ହେଜିବ

ଭେଦ ନୀତି କୁପ୍ରବୃତ୍ତି ମାନସରୁ ତେଜିବ

ସର୍ବଘଟରେ ହରି ରହି ଅଛନ୍ତି ପୂରି

ଘୃଣା ହିଂସା ନ କରି ହିତ କର ସବୁରି

ତେବେଟି ଆତ୍ମାଜ୍ଞାନ ଲଭିବ ।୨।

ସର୍ବ ଶରୀରଟି ଆତ୍ମା ବ୍ରହ୍ମଙ୍କର ମନ୍ଦିର

ପ୍ରଭୁ ମନ୍ଦିରକୁ ଆଉ ଘୃଣା ହିଂସା ନ କର

ଦମ୍ଭ ଗର୍ବ ତେଜିବ ନଗ୍ର ଗୁଣ ବହିବ

ସର୍ବ କଥା ସହିବ ଜୀବେ ଦୟା କରିବ

ସର୍ବଦା ସତ୍ୟକଥା କହିବ ।୩।

ପରନାରୀଙ୍କି ନିଜର ମାତୃ ପ୍ରାୟେ ଭାବିବ

ପ୍ରଶଂସା ଅପମାନକୁ ଏକ ପ୍ରାୟେ ମଣିବ

ଛାଡ଼ିବ ତର୍କ କଳି ଧର୍ମ ସଭାରେ ମିଳି

ନିସ୍ୱାର୍ଥ ଭାବେ ଚଳି ଭାବରେ ଦେଇ ତାଳି

ଭକତ ପାଦ ଧୂଳି ପାଇବ ।୪।

*

ଆଧ୍ୟାତ୍ମିକ ଜ୍ଞାନ ଭଜନ

ସର୍ବ ଦେହେ ଆତ୍ମା ଗୁରୁ କହୁଛି କଥା

(ଆଉ) ପରଙ୍କର ଦୋଷ ଗୁଣ ନ ଧର ବୃଥା ।ପଦ।

ସେ ତା ଲୀଳାପାଇଁ ସର୍ବବ୍ୟାପୀ ହୋଇ କରୁଥାଏ ହଟହଟା

ତା ବିନା ଆଉ ଜଣେ କେ ନାହିଁ ବକତା

(ଗୁପ୍ତେ) ଭକ୍ତ ଦେହେ ଖେଳିଣ ସେ ହୋଇଛି ଚେତା ।୧।

ଯେ କହେ ବଚନ ସେ ଦେହରୁ ଭିନ୍ନ ସେଟି ଶବ୍ଦ ବ୍ରହ୍ମ ନିତ୍ୟା

ଦେହୁ ଯେବେ ଭିନ୍ନ ସେ ହୋଇ ନ ଥାଆନ୍ତା

(ତେବେ) ଦେହ ଛାଡ଼ିଣ ଶୂନ୍ୟକୁ କିମ୍ପା ଯାଆନ୍ତା ।୨।

ତୁହି ଯେବେ ମନ ନିର୍ଲିପ୍ତେ ଚଳିଣ ଭୁଲିଯିବୁ ତୋ ଦେହଟା

ତେବେ ତୁ ଚିହ୍ନିବୁ ତୁହି ତୋ ମୁକ୍ତି ଦାତା

(ଆଉ) ମନେ ନ ରହିବ ପାପ ପୁଣ୍ୟର ଚିନ୍ତା ।୩।

ଜାଣି ଶୁଣି ମନ ଚେତା ନ ହୋଇଣ ଭାବୁ କିଆଁ ମୁହିଁ ମିଥ୍ୟା

ଦେହାଭିମାନ ମୁଁ ସିନା ମିଥ୍ୟା ବକୃତା

(ଜ୍ଞାନେ) ମଧୁ କହେ ଚିତ୍ତ ଶୁଦ୍ଧି ମୁଁ ତୁ ଏକତା ।୪।

*

ଆଧ୍ୟାତ୍ମିକ ଜ୍ଞାନ ଭଜନ

(ଭଜ ଭଜରେ ମନ ରଜନୀ ଦିନ – ବୃତ୍ତେ)

ଭଜରେ ମନ ସତ୍ୟ ଧର୍ମ ପରମ ବ୍ରହ୍ମ ଅକ୍ଷୟ ଜ୍ୟୋତି ।ପଦ।

ବୁଝାଇ କହୁଛି ମତି, ଅବୁଝା କାହିଁକି ହେଉଛୁ ନିତି

ହେଜିଣ ନିଜ ସଂସ୍କୃତି, ନିଜକୁ ଚିହ୍ନିଲେ ତୁଟିବ ଭ୍ରାନ୍ତି

ଭଜି ପାରିଲେ ଆତ୍ମା ଜ୍ୟୋତି, ବୁଝବୁ ମତି ତୁହି ତୋ ମୁକ୍ତି ।୧।

ଭାବିଣ ପ୍ରାଚୀନ ଭାବ, ନବ ସଭ୍ୟତାରୁ ତୁଟାଅ ଲୋଭ

ମାୟାର କୁହୁକ ଭାବ, କାୟା ଚିନ୍ତା ଥିଲେ ମାୟାଟି ଥିବ

ଦେହାତୀତ ତୁହି ଜୀବଟି, ତୋ ଦେହାସକ୍ତି ତେଜ ଝଟତି ।୨।

ଶରୀର ଜଡ଼ ଅଜ୍ଞାନ , ତହିଁରେ ରହିଛୁ ତୁହି ଚେତନ

ଭୁଲିଲେ ଦେହାଭିମାନ, ଆପେ ହୋଇଯିବୁ ଆପଣା ଜ୍ଞାନ

ବ୍ରହ୍ମାନନ୍ଦରେ ମଗ୍ନ ହୋଇଣ, ନିଶିଦିନ ଲଭିବୁ ଶାନ୍ତି ।୩।

ସ୍ୱଦେହେ କସ୍ତୁରି ଥାଇ, ମୃଗ ଯେହ୍ନେ ବନେ ସୁଘିଂ ବୁଲଇ

ତେସନେ ମାନସ ତୁହି, ଖୋଜୁଅଛୁ ଏଣେ ତେଣେ କିମ୍ପାଇଁ

ମଧୁ କହଇ ମନ ତୁହି ସେ, ଐକ୍ୟ ଜ୍ଞାନ ଅଭେଦ ପ୍ରୀତି ।୪।

***

ଏକଭାବ ଭଜନ

ଭଜ କାଳିଆ କାଳିଆ କାଳକୁ ଡରଛୁ କିଆଁ

ସେ ଜଣକ କାଳ କାଳୀ ସେହିଟି ଶ୍ରୀକୃଷ୍ଣ କାୟା ।ପଦ।

ହସାଏ କନ୍ଦାଏ ସେହି ତା ବିନା କେ ଅନ୍ୟ ନାହିଁ

ନାନା ସ୍ୱରୂପ ଧରଇ ସେ ଅଟେ ବଡ଼ ହଟିଆ ।୧।

ଜନ୍ମ ମୃତ୍ୟୁରେ ସେ ରହି ବିଚିତ୍ର ଲୀଳା କରଇ

ନ ହେଜି ମନ କିମ୍ପାଇଁ ଭବେ ହେଉଛୁ ଛାନିଆଁ ।୨।

ମୃତ୍ୟୁକୁ ଆଉ ନ ଡର ମରା ଓଲଟାଇ ସ୍ମର

ଦେହ ଭାବ କରି ଦୂର ଆତ୍ମା ଭାବେ ବିଶ୍ୱ ଚାହାଁ ।୩।

ନେତ୍ର ବୁଜି ଶୂନ୍ୟ ଚିନ୍ତି ଶୂନ୍ୟେ କର କୃଷ୍ଣ ପ୍ରୀତି

କହେ ମଧୁ ଦାସ ମତି ଜପ ଶୂନ୍ୟ କଳା ନାଆଁ ।୪।

*

ଆଧ୍ୟାତ୍ମିକ ଜ୍ଞାନ ଭଜନ

[ରାଗ- ଚୋଖି]

କହ ଆରେ ମନ ମୋର ଭବ ମାୟା ଧୂଳି ଖେଳ

କେତେ ଦିନ ଯାଏ ଆଉ ଖେଳିବୁ ତୁହି

ତୋର ଦୁର୍ଲ୍ଲଭ ଜନମ ହେଲା ସିନା ଅକାରଣ

ଭାବେ ଆସିଥିଲୁ କିମ୍ପା ଭାବିଲୁ ନାହିଁ

ସଙ୍ଗସାଥୀ ମେଳରେ ରହି

ରଙ୍ଗ ପସରା ସଂସାରେ ହୋଇଲୁ ବାଇ ୧।

ତୋ ଇନ୍ଦ୍ରିୟ ସୁଖ ଭାବ ଚିର ଦିନ ନ ରହିବ

କାଳ ହାବୁଡ଼ିଲେ ବୃଥା ହୋଇଭ ସର୍ବ

ନଭାବି ପାରୁ ସେ ଦିନ ତୋର ସୁଖ ଆଶାମାନ

ଜୀବନ ଯୌବନ ଅକାରଣ ହୋଇବ

ଏତେବେଳେ ଚେତା କରିଣ

କର ବେଗେ ସାଧୁ ବାଣୀ ଅନୁସରଣ ୨।

ସମସ୍ତେ ସୁଖର ସାଥୀ କେହି ତୋହର ନୁହଁନ୍ତି

ଆତ୍ମାଟି କେବଳ ତୋର ନିଜର ସାଥୀ

ବେଗେ ଆତ୍ମା ସଙ୍ଗ କର ଛାଡ଼ ଭବ ମାୟା ଖେଳ

ଆତ୍ମା ବିନା ଅନ୍ୟରେ ନ ମିଳଇ ଶାନ୍ତି

ଭବରଙ୍ଗ ଖେଳ ଛାଡ଼ିଣ

ଭାବ କର ଆତ୍ମା ସଙ୍ଗେ ଆତ୍ମା ସ୍ମରିଣ ୩।

କରି ଇନ୍ଦ୍ରିୟ ସଂଯମ ଚରିତ୍ର କଲେ ଗଠନ

ଲଭିବୁ ସେ ଆତ୍ମା ଜ୍ଞାନ ଭାବ ମରମ

ଶ୍ରୀଗୁରୁ ସେବା କରିଣ ନିବୃତ୍ତି ପଥେ ଚଳିଣ

ଅନାସକ୍ତ ଭାବେ ନିତି କର କରମ

ମଧୁ ଦାସ କହେ ଡାକିଣ

ଭବାବ୍‌ଧିରୁ ତର ଆତ୍ମା ଜ୍ଞାନ ହେଜିଣ ୪।

*

ମନ ଶିକ୍ଷା

[ମନ କହୁଛିରେ ପାଇଲା ଧନ - ବୃତ୍ତେ]

ମନ ନ ଭୁଲରେ, ଚାହିଁ ଏ ମାୟା ବଜାର

ମହାକାଳ ଫଳ ବାହାରଟା ଭଲ ଭିତର ପୋଡ଼ା ଅଙ୍ଗାର ପଦ।

ରୂପ ଯଉବନ କୁହୁକ ସମାନ ମିଛିମିଛିକିଆ ଖେଳ ।

ରଙ୍ଗ ପସରାରେ ମନ ମଜ୍ଜାଇଲୁ ଶେଷେ ହେବୁ କଲବଲ ୧।

ଦେଖି ଜକ ଜକ ହୋଇ ମକ ମକ କରୁଛୁ ସିନା ଆଦର ।

ଭଲ ବୋଲି ଯାହା ଭାବୁଅଛୁ ତାହା ଅଟଇ ନିପଟ ଭେଲ । ୨।

ରୂପର ଭିତରେ ଅରୂପ ବ୍ରହ୍ମରେ ଲୟ ରଖ ନିରନ୍ତର ।

ମାୟାଧର ତତ୍ତ୍ୱ ନିର୍ଲିପ୍ତରେ ଚିନ୍ତା ଅନାସକ୍ତ ଦୀକ୍ଷା ଧର ୩।

ମଧୁ ଦାସ ବୋଲେ ବିବେକ ସଙ୍ଗରେ ଚଞ୍ଚଳ କର ବିଚାର ।

ସୁମତି ଆତ୍ମାରେ ଗୁରୁଙ୍କୁ ଭଜିଲେ ହଟିବ ମାୟା ଚିତ୍ତେ ମାୟା ତିମିର ।୪।

*

ମନ ଶିକ୍ଷା

[ମନ କହୁଛିରେ ପାଇଲା ଧନ - ବୃତ୍ତେ]

ମନ ଚଗଲାରେ ! ବଗୁଲିଆ ବୁଦ୍ଧଇ ଛାଡ଼ ।

ଲୁଙ୍ଗୁରାଙ୍କ ସଙ୍ଗ କରି ପରିତ୍ୟାଗ ଗୁରୁ ଗୋଡ଼ ତଳେ ପଡ଼ ।ପଦ।

କେତେ କେତେ ଲୋକ ମନେ ବହି ଟେକ ଶମଶାନେ ହେଲେ ମଢ଼

ଗରବ ଗୁମାନ ଜୀବନ ଯୌବନ ନ ରହିବ ଆରେ ମୂଢ଼ ।୧।

କାମ, କ୍ରୋଧ ଲୋଭେ ମଗ୍ନହୋଇ କେଭେଁ ଭବ ଜଳରେ ନ ବୁଡ଼ି

ଗୁରୁ କର୍ଣ୍ଣଧାର କରିବେ ଉଦ୍ଧାର ଗୁରୁ ନାମେ କର ଦୃଢ଼ ।୨।

କୁସଙ୍ଗ କୁରୀତି ଖରାପ ପ୍ରବୃତ୍ତି ହୃଦୟରୁ ବେଗେ ତଡ଼

ମହାଜନ ଶାସ୍ତ୍ର ଗୀତା ଭଗବତ ଅଭ୍ୟାସ କରିଣ ପଢ଼ ।୩।

ଆତ୍ମାଜ୍ଞାନ ଭକ୍ତି ଶିକ୍ଷାକର ନିତି ଭାଙ୍ଗି ମୋହ ବାଡ଼

ମଧୁ ଦାସ ବୋଲେ ଚଳି ସୁପଥରେ ପବିତ୍ର ଜୀବନ ଗଢ଼ ।୪।

*

ବ୍ୟାକୁଳତା

[ପଥର ପାଲଟି ଗଲକି - ବୃତ୍ତେ]

ମନରେ, ଜୀବନ ରହି କି ହୋଇବ ?

ଯେବେ ଜୀବ ନ କଲା ସେ ପରମ ଭାବ ପଦ।

କେତେ କେତେ ପୁଣ୍ୟ କରି, ନର ତନୁ ଥିଲି ଧରି

ଭାବେ ନ ଭାବିଲି ହରି, ପଦ ଗଜୀବ ।୧।

ବୃଥା ସବୁ ପରିଶ୍ରମ, ବୃଥାହେଲା ସବୁ କର୍ମ

ମନୁଷ୍ୟ ଜନ୍ମ ଲଭିଣ, କଲୁ କି ଲାଭ ? ।୨।

କି ହେବ ଧନ ସମ୍ପତ୍ତି, କିବା ଲୋଡ଼ା ଯଶ କୀର୍ତ୍ତି

ଅନ୍ତିମେ କେ ନୁହେଁ ସାଥୀ ବୃଥାଟି ସର୍ବ ୩।

କଲବଲ ଛଟପଟ, ପ୍ରାଣ ହେଉଛି ନିରତ

କିମ୍ପା ନ ଯାଉଛି ଘଟ, ଛାଡ଼ି ଏ ଜୀବ ।୪।

ପ୍ରାଣ ବନ୍ଧୁ ବିନା ପ୍ରାଣ, ରଖିବାଟି ଅକାରଣ

ସତେ ସେ ଭାବ ଭାବିଣ, ମଧୁ ମରିବ ।୫।

*

ଏକନିଷ୍ଠ ଭାବ

ପ୍ରିୟ ସହି ! ଯେ ଯାହା କହିବ କହୁ ଗୋ

ଯାହା ଇଚ୍ଛା ହେବ ହେଉ ଗୋ

ବ୍ରଜଗଜ ସଜ ସରୋଜ ଚରଣ

ମୋ ହୃଦରେ ଅଙ୍କା ରହୁ ଗୋ ।ପଦ।

କେତେ ନର ନାରୀ ଦେଇ ନିନ୍ଦାଗାଳି

ବୋଲନ୍ତି ଖରାପ ଏହୁ ଗୋ

କୃଷ୍ଣ ଲାଗି ସିନା ସହୁଛି ଯାତନା

ସବୁ କଥାକୁ ହୁଁ ହୁଁ ଗୋ ୧।

ଏ ପ୍ରାଣ ଶରୀର ଅଟେ ତାହାଙ୍କର

ମୋର କିଛି ନାହିଁ ଆଉ ଗୋ

କେବଳ ସେ ମୋର ମୁହିଁଟି ତାଙ୍କର

ତାଙ୍କ ପଦେ ମନେ ରହୁ ଗୋ ୨।

ସେହି ଭାବମୃତ ଯେ ରଖିଛି ମିତ

ସେ ଜାଣେ ସେ ଭାବ ଲାଭ ଗୋ

ଦୁଃଖ ସୁଖମାନ କରିଣ ସମାନ

ସହଇ ସବୁରି ଦାଉ ଗୋ ୩।

କୃଷ୍ଣ ମୋର ମନ୍ତ୍ର, ଜ୍ଞାନ, ଯୋଗ, ତତ୍ତ୍ୱ

କୃଷ୍ଣଙ୍କୁ ଭୁଲିବି କାହୁଁ ଗୋ

କୃଷ୍ଣ ରୂପ ଧ୍ୟାଇ କୃଷ୍ଣ ଗୁଣ ଗାଇ

ମଧୁ ବୋଲେ ପ୍ରାଣ ଯାଉ ଗୋ ।୪।

***

ସର୍ମପଣ

ମୋର ମୋର ବୋଲି କହୁଛୁ କିପରି ତୋର ପରା କିଛି ନାହିଁ ।

ସବୁ ପ୍ରଭୁଙ୍କର ତୁ ନୋହୁ ତୋହର ମୋର କହୁ କାହିଁ ପାଇଁ ।ପଦ।

ଦେହ, ଗୃହ, ଧନ କୁହୁକ ସମାନ କଦାପି ଚିର ନୁହଁଇ ।

ଆଜି ଯାହାଥାଏ କାଲିକି ନ ରହେ ମିଥ୍ୟା ସପନ ଅଟଇ ୧।

କେତେ ବେଳେ ଜୀବ ତୋର ଚାଲିଯିବ ରଖି ନ ପାରିବୁ ତୁହି

କିମ୍ପା ଏତେ ଲୋଭ କରି ଭ୍ରାନ୍ତ ଜୀବ ଭ୍ରମୁ ମୋର ମୋର ହୋଇ ।୨।

ଦେହ, ଗୃହ ମନ ବ୍ରହ୍ମେ ସମର୍ପିଣ ‘ମୁଁ’ ‘ମୋର’ ଦିଅ ତୁଟାଇ

କହେ ମଧୁ ଦାସ ସମର୍ପି ସର୍ବସ୍ୱ ତର ମାୟା ଭବ ନଈ ୩।

***

ମନଶିକ୍ଷା

[ନନ୍ଦସୁତ ମୋର ଜୀବିକା - ବୃତ୍ତେ]

ଭୁଲାମନ ଭୁଲି ନ ଯାଆ । ଭବରଙ୍ଗ ଖେଳ ଦୁଇ ଦିନିଆଁ

ଭାବୁ ଯାହା ଭଲ ସେ ଅଟଇ ଭେଲ ଏ କଥାକୁ ଚେତା ନରଖୁ କିଆଁ

ଭଙ୍ଗା ଡଙ୍ଗାରେ ବସି ତୁହି, ଭୁରୁଡ କାଢ଼ୁଛୁ କିମ୍ପାଇଁ

ଭାସିଯିବୁ ନିଶ୍ଚେ ଥଳ କୂଳ ନାହିଁ ତରିବୁ ଯେବେ ଧର ଗୁରୁ ନାଆଁ

ଭାଇବନ୍ଧୁ କୁଟୁମ୍ୱ ଯେତେ, ଭବୁ କେ ନ ତାରିବେ ତୋତେ

ଭାବଗ୍ରାହୀ ରୂପ ଧ୍ୟାଇ ଅନ୍ତର୍ଗତେ ଭାବେ ବସି ତାଙ୍କ ଭଜନ ଗାଆ

ଭୀଷଣ ଏ ଦୁନିଆଁ ଢ଼ଙ୍ଗ, ଭାଙ୍ଗେ ବୁଦ୍ଧି ଜ୍ଞାନ ବୈରାଗ୍ୟ

ଭାଷେ ମଧୁଦାସ କଲେ ସାଧୁ ସଙ୍ଗ ଭ୍ରମ ନ କରିବ ଭେଳକିମାୟା

***

ଇନ୍ଦ୍ରିୟ ଧିକାର

[ନୟନରେ ନୀର ନୟନେ ମରେ ଗୋ – ବୃତ୍ତେ]

ଯଦି ପ୍ରଭୁ ପ୍ରତି ନ ଜନ୍ମିଲା ଭକ୍ତି

କି ହେବ ପିଣ୍ଡରେ ପରାଣ ରହି

ଯଦି ସେ ଚରଣ ନ କଲୁ ଦର୍ଶନ

ବେଗେ ଫୁଟିଯାଆ ନୟନ ଦୁଇ ।ପଦ।

ହୋଇଯା ବଧୀର ଆରେ କର୍ଣ୍ଣ ମୋର

ପ୍ରଭୁ କଥା ନ ଶୁଣିଲୁ ଶ୍ରଦ୍ଧା ବହି

ସେ ଭାବେ ତନ୍ମୟ ନ ହେଲୁ ହୃଦୟ

ଫାଟି ଯାଆ ହୃଦ କି ହେବ ଥାଇ ।୧।

ବିନୟ ମଧୁର ବାକ୍ୟ ନ କହିଣ

କଟୁ କଥା ମୁଖ ଦେଉଛୁ କହି

ଯଦି ପ୍ରଭୁ ଗୁଣ ନ କଲୁ ରାୟନ

ମୁକ ହୋଇ ଯାଆ ରେ ମୁଖ ତୁହି ।୨।

ଶୁଣ ଆରେ ଶିର ବହି କେଶ ଭାର

ଚନ୍ଦନ ତିଳକ ଅଛୁ ଲଗାଇ

ପ୍ରଭୁ ପାଦତଳେ ଭକତି ଭାବରେ

କିମ୍ପା ନମ୍ରଭାବେ ନ ପଡ଼ୁ ନଇଁ ।୩।

ପ୍ରଭୁ ଭେଟ ପାଇଁ ବ୍ୟାକୁଳରେ ଯାଇ

ଅନ୍ୱେଷଣ ଯେବେ ନ କଲୁ ତୁହି

ଛିଡ଼ି ପଡ଼ ଗୋଡ଼ କହେ ମଧୁ ମୂଢ଼

କେଉଁ ଆଡ଼େ ଆଉ ଯାଉଛୁ ଧାଇଁ ।୪।

-୦-

କ୍ଷଣସ୍ଥାୟୀ ଜୀବନ

ତୋ ଜୀବନ ଯଉବନ ରହିବ ନାହିଁ

ଚାହୁଁ ଚାହୁଁ ମାଟି ଘଟ ଯିବ ମିଳାଇ ।ପଦ।

ଧନ, ଗର୍ବ, ଅଭିମାନ, ସବୁ ହେବ ଅକାରଣ

ତେ ର ସୁନ୍ଦର ଭବନ ଯିବି ଗନ୍ଧାଇ ।୧।

ନ ଧରିବ ଅଉଷଧି କାଳଗଣେ ହେବେ ବାଦୀ

ତୋ କୁଟୁମ୍ୱଗଣେ କାନ୍ଦି ଥିବେ ଅନାଇଁ ।୨।

ସ୍ନେହ ସୁଖ ଆଶାଭାବ ସେ ବେଳରେ ନ ରହିବ

କହୁ କହୁ ଚାଲିଯିବ ପରାଣ ବାଇ ।୩।

ହିତମୟ ଗୁରୁବାଣୀ ଚେତା କର ଏବେ ଶୁଣି

ଭଜ ରାଧା ବେଣୁପାଣି ଭୂରୁକୁ ଚାହିଁ ।୪।

କହେ ମଧୁ ଯୋଡ଼ି ହାତ ବେଗେ ଗୁରୁ ନାମ ଚିନ୍ତ

ସାଧୁ ସଙ୍ଗେ ଦିନ କାଟ ଏଣିକି ତୁହି ।୫।

*

କୃପଣ ପ୍ରତି

[ଚକାଡୋଳା - ବୃତ୍ତେ]

କୁରୁପଣ ବସି ସଞ୍ଚୁ, ବସି ସଞ୍ଚୁ ଥା ଧନରେ

(ତେଣେ) ଚିତ୍ରଗୁପ୍ତ ପାଞ୍ଜି ଦେଖିନ ସାରିଲାଣି

ଆଉ ତୁ ବଞ୍ଚିବୁ ଅଢ଼େଇ ଦିନରେ ।।ପଦ।।

ଖଚ ମିଛ କଳି କପଟ ଚୁଗୁଲି

ହିଂସା କରି ଧନ କଲୁ ଅର୍ଜୁନ

ପରର ଅନିଷ୍ଟ ଚିନ୍ତିଲୁ ସତତ

ପର ଉପକାର କଲୁ ବର୍ଜନ

ଆରେ ଦୁର୍ଜନ, ହେଲୁ ଅଜ୍ଞାନ,

ଦୁଃଖୀ ଭିକାରୀକୁ ନ କଲୁ ଦାନ ।।୧।।

ଦୟାପଦ ତୋର ହୃଦୁ କରି ଦୂର

ବହିଲୁ ନିଷ୍ଠୁର ନିର୍ଦ୍ଦୟ ପଣ

ଯାହାପାଇଁ ଧନ ରଖିଛୁ ସଞ୍ଚିଣ

ସେ କି ଉଦ୍ଧାରିବେ ତୋର ଜୀବନ

ଗଲେ ତୋ ପ୍ରାଣ, ନେଇ ଶ୍ମଶାନ,

ଫୋପାଡ଼ିଣ ଦେବେ କୁଟୁମ୍ୱ ଗଣ ।।୨।।

ଆଶା ସୁଖ ସର୍ବ ବୃଥା ହୋଇଯିବ

କ୍ଷଣକରେ ଚାଲିଯିବ ଜୀବନ

ସର୍ବେ ଚାହିଁଣ ଥିବେ ରଖି ନ ପାରିବେ

ବୃଥା ଚିନ୍ତ ସବୁ ମୋର ବୋଲିଣ

କାମିନୀ ଧନ, ସୁତ ସଦନ,

ସବୁ କଥା ଅଟେ କୁହୁକ ସମ ।୩।।

ନ ଦେଇ ନଖାଇ କୋଲପ ପକାଇ

ରଖି ଯେଉଁ ଧନ ଯତ୍ନ କରିଣ

ପ୍ରାଣ ଗଲାବେଳେ ନ ଯିବ ସଙ୍ଗରେ

ସାଥୀରେ କେ ଯିବ କର ଚେତନ

ସାଧୁ ସେବିଣ, କର ଧରମ,

ମଧୁ ଭାଷେ ତେବେ ହୋଇବୁ ତ୍ରାଣ ।।୪।।

*

ବାବଜୀଙ୍କ ପ୍ରତି

[କି ହେବ ଶୁଣା ପୋଷିଲେ - ବୃତ୍ତେ]

କି ହେବ ହେଲେ ବାବାଜୀ, ବ୍ରହ୍ମରେ ନ ହେଲେ ଗଜି ।

ବୃଥା ସିନା ଦାଢି, ଜଟା, ଚିତା, ମାଳା ବେଶ ସାଜି ।।ପଦ।।

ବାଆଟି ପବନ, ଘୋଡା ଅଟଇ ବାଳୀ ।

ପବନେ ଘୋଟକ ମନ ନ ବସାଇଲେ ସମଜି ।।୧।।

ମାତାଟି ମାଆ, ଜୀ ଅର୍ଥ ଶ୍ରେଷ୍ଠ ମାତାଜୀ ।

ମାତାଜୀ ରଖି କି ହେବ ସ୍ୱମାତୃ ପ୍ରାୟ ନ ହେଜି ।।୨।।

ମଠରେ ସାଧୁ ରହନ୍ତି ଠାକୁର ପୂଜି ।

ଠାକୁର ପୂଜି କି ହେବ ଭାବ ଭକ୍ତିରେ ନ ମଜ୍ଜି ।।୩।।

ଭାବ ଶ୍ରେଷ୍ଠ ବୋଲି ଥୋକେ କହନ୍ତି ଗର୍ଜି ।

ଭାବ ଭାବିଲେ କି ହେବ କାମ କ୍ରୋଧାଦି ନ ତେଜି ।୪।।

ମଧୁ କହେ ଗୁରୁ କୃଷ୍ଣ ନାମକୁ ଭଜି ।

ନାମ ଭଜିଲେ କି ହେବ ହିଂସା ଲୋଭ ନ ବରଜି ।।୫।।

*

ସର୍ବାତ୍ମା ସମ (ଭଜନ)

କିଏ ବଡ କିଏ ଛୋଟ ଭାବୁରେ ମାନସ

ଏକ ପ୍ରଭୁ ସର୍ବ ଘଟେ କରିଛନ୍ତି ବାସ ପଦ।

ଜାତି ଅଜାତିରେ ସେହି ସେ ବିନା ଅନ୍ୟ କେ ନାହିଁ

ଘୃଣା ତେଜି ସର୍ବଠାରେ ଚିନ୍ତ ପରମେଶ ୧।

କାମ କ୍ରୋଧାଦି ରିପୁଏ ଅସ୍ପର୍ଶ ସିନା ଏ ଦେହେ

ମନୁଷ୍ୟ ଅସ୍ପୃଶ୍ୟ ନୁହେଁ ଶ୍ରେଷ୍ଠଟି ମନୁଷ୍ୟ ୨।

ମାନବ ସମାଜ ଗୋଟି ଆପଣା ପରିବାରଟି

ଏ ଭାବରେ ବିଶ୍ୱପତି ହୁଅନ୍ତି ସନ୍ତୋଷ ୩।

ଯେ ଚିନ୍ତେ ସର୍ବାତ୍ମା ସମ ସେହିଟି ଜ୍ଞାନୀ ଉତ୍ତମ

ମଧୁ ଭାଷେ ସେହି ଜନ ମହାତ୍ମା ପୁରୁଷ ।୪।

-୦-

କାହାକୁ କହିବି କିସ

କାହାକୁ କହିବି କିସ ?

ସେ ବିନା କେ ନାହିଁ ସର୍ବ ଘଟେ ସେହି

ପ୍ରଭୁ କରିଛନ୍ତି ବାସ ।।ପଦ।।

ସର୍ବଠାରେ ହରି ନିର୍ଲିପ୍ତେ ବିହରି

କରନ୍ତି ଲୀଳା ରହସ୍ୟ

ସେ ଲୀଳାର ତତ୍ତ୍ୱ ଆଶ୍ଚର୍ଯ୍ୟ ଅଦ୍ଭୁତ

ନ ବୁଝେ ଭ୍ରାନ୍ତ ମନୁଷ୍ୟ ।୧।।

ପ୍ରଭୁ ଲୀଳା ରୀତି ମନେ ଚିନ୍ତି ଚିନ୍ତି

ଶୂନ୍ୟ ହୁଅଇ ମାନସ

କହିଲେତ କେହି ବୁଝି ନ ପାରଇ

ସେହି ଲୀଳାର ଉଦ୍ଦେଶ୍ୟ ।୨।।

ସେହି ସର୍ବ କର୍ତ୍ତା କରେ ସବୁ କଥା

ସହୁଥିବ ମଧୁ ଦାସ ।୩।।

***

ଜୀବନର ଲକ୍ଷ୍ୟ

ଜୀବନର ଲକ୍ଷ୍ୟ ନୁହେଁ ସୁଖ ଅବା ଦୁଃଖ

ସୁଖ ଦୁଃଖାତୀତ ବ୍ରହ୍ମ ଭାବେ ଚିତ୍ତ ରଖ ।ପଦ।

ଇନ୍ଦ୍ରିୟ ସୁଖ ଅନିତ୍ୟ ନୁହଇଁ କଦାପି ସତ୍ୟ

ସତ୍ୟ ଏକା ବ୍ରହ୍ମତତ୍ତ୍ୱ ସୁଶାନ୍ତିଦାୟକ ।୧।

ଏ ସଂସାର ବସାଘରେ ରସାଅନାଁ ମନ ତିଜେ

ଆଶା ନ ରଖି କାହିଁରେ ଶ୍ରୀହରିଙ୍କି ଡାକ ।୨।

ସୁଖ ଦୁଃଖ ଅନୁଭୂତି ଇନ୍ଦ୍ରିୟମାନେ କରନ୍ତି

ଇନ୍ଦ୍ରିୟରୁ ଅଲଗାଟି ସେ ଆତ୍ମାକୁ ଦେଖ ।୩।

ମଧୁ ଦାସ କହେ ଚିତ୍ତ ହୁଅ ଶୁଦ୍ଧ ସଂଯମିତ

ଆତ୍ମା ହଇ ଆତ୍ମା ଚିନ୍ତ ଆତ୍ମେ ରଖ ଲକ୍ଷ୍ୟ ।୪।

***

ଦୁଃଖ ପରମ ବନ୍ଧୁ

[ନନ୍ଦସୁତ ମୋର ଜୀବିତା - ବୃତ୍ତେ]

ଦୁଃଖ ପରମ ବନ୍ଧୁ ବୋଲି ହୃଦୟରେ କଲିଣି ଅନୁଭୂତି

ଦୁଃଖ ହେଲାବେଳେ ନ ମଜ୍ଜି ମାୟାରେ

ପ୍ରଭୁଙ୍କୁ ଡାକିବାକୁ ବଳେ ମତି ।ପଦ।

ରୋଗ ଅଟଇ ପ୍ରିୟ ସାଥୀ ଭବୁ ହଟାଇ ଦିଏ ମତି

ଆଉ ଯେତେ ସାଥୀ ସଂସାରେ ଅଛନ୍ତି

ଭବ ଜଞ୍ଜାଳରେ ନେଇ ପକାନ୍ତି ୧।

କୁନ୍ତୀ କହିଥିଲେ ହେ ହରି ଦିଅ ବିପଦ ଦୟାକରି

ପଡ଼ିଲେ ବିପତ୍ତି ପ୍ରଭୁଙ୍କୁ ଡାକନ୍ତି

ସୁଖବେଳେ କରି ନ ହୁଏ ଭକ୍ତି ୨।

ବିପଦ ସମ ଉପକାରି ଅନ୍ୟ କେହି ନାହିଁ ଜାଣିଲି

କହେ ମଧୁ ଦାସ ଦିଅ ପ୍ରଭୁ କ୍ଳେଶ

ମାତ୍ର ହୃଦେ ଦିଅ ସହିବା ଶକ୍ତି ୩।

*

ମନଶିକ୍ଷା

[ଭଜମନ କଳା କହ୍ନାଇ - ବୃତ୍ତେ]

ଆରେ ମନ ବାଇଆ ହାତୀ କାହିଁକି ହେଉଛୁ ଘାଣ୍ଟି ଚକଟି

ମାୟାଭବ ବଣେ ଭ୍ରମି ଏଣେ ତେଣେ

ପାଉଅଛୁ ଭଲା କି ସୁଖ ଶାନ୍ତି ? ।ପଦ।

ଖାଲ ଜିପ ତୁହି ନ ମାନି କିମ୍ପାଇଁ

ମିଛେ ମତୁଆଳ ହେଉଛୁ ମାତି

ଅବାଟରେ ପଶି ହେଉ ସିନା ଖୁସି

ପଡ଼ିଗଲେ ତୁ ନ ପାରିବୁ ଉଠି ୧।

ଗହନ କାନନେ ପଶି ଅକାରଣେ

ଧଇଁ ଧଇଁ ହୋଇ ଧାଉଁଛୁ ନିତି

ଖଣ୍ଡିଆ ଖାବରା ହେଉଅଛି ପରା

ତଥାପି ତୁହି ନ ପାରୁଛୁ ଚେତି ।୨।

ଯେତେ ବୁଝାଇଲେ ନ ବୁଝୁଛୁ ତିଳେ

କେବେ ଛାଡ଼ିବୁ ତୋ ବୁଲା ପ୍ରକୃତି

ମଧୁଦାସ ବୋଲେ ପଡ଼ିଯିବୁ ଖାଲେ

ଆସି ପଡ଼ିଲାଣି ବିଷମ ଘାଟୀ ।୩।

*

ହରିଭାବ ଭଜନ

ଖାଲି ହରି ହରି କହିଲେ ନ ତରି

ଭାବେ ହରି ଭଜ ତରିବ ଯେବେ

କାମ, କ୍ରୋଧ, ଲୋଭେ ମଜ୍ଜିଥିଲେ ଭବେ

ଭାବ ଉଦୟ ନ ହୋଇବ କେବେ ।ପଦ।

ସ୍ୱାର୍ଥ ସିଦ୍ଧି ପାଇଁ ହରିଙ୍କି ଡାକିଲେ

ହରି ଭାବଭକ୍ତି ନ ମିଳଇ ତିଳେ

ପାଞ୍ଚି ପରମନ୍ଦ ଭଜିଲେ ଗୋବିନ୍ଦ

ସେ ଭଜନେ ଭାବ ନଥାଏ ଲବେ ।୧।

ବିଷୟାରେ ରସି ଭଜିଲେ ସେ ନାମ

କଦାପି ନହୁଏ ସେ ହରିଙ୍କ ପ୍ରେମ

ସାଧୁ ସଙ୍ଗେ ଜ୍ଞାନେ ଅନାସକ୍ତ ମନେ

ହରିନାମ ଭଜ ବ୍ୟାକୁଳ ଭାବେ ।୨।

କାମନା ବାସନା ରହିଥିବା ଯାଏ

ହରି ଭକ୍ତିଭାବ ନ ଜନ୍ମେ ହୃଦୟେ

ମଧୁଦାସ ବୋଲେ ନିଷ୍କାମ ଚିତ୍ତରେ

ଦେଖ ହରିପୂର୍ଣ୍ଣ ସକଳ ଠାବେ ।୩।

*

ଆତ୍ମାତତ୍ତ୍ୱ ଭଜନ

[ଫାଟି ପଡିବାର ନିକୁଞ୍ଜ - ବୃତ୍ତେ]

ଆଶା ସିନା ଦିଏ – ଦୁଃଖରେ ମାନସ ନୈରାଶ୍ୟ ପରମ ସୁଖ

ଇନ୍ଦ୍ରିୟ ଲାଳସା ଦିଅଇ ଦୁର୍ଦ୍ଦଶା ଶୁଣିଣ ହୁଅ ସତର୍କ

ରେ ମାନସ । ନ ହୁଅ ତୁ ଅବାବେକ ।

ଆତ୍ମାଜ୍ଞାନୀ ଗୁରୁ ସେବିଣ ଏ ବେଳୁଁ ଆତ୍ମାକୁ ଆତ୍ମାରେ ଦେଖ ।୧।

ଆଧ୍ୟାତ୍ମିକ ଜ୍ଞାନେ ଶାନ୍ତି ମିଳେ ମନେ ମନରେ ମନ ବୁଝାଅ

ବିମନ କୁମନ ତଡ଼ିଣ ବହନ ସୁମନେ ଅମନେ ଧ୍ୟାଅ

ରେ ମାନସ । ପରମେ ଜୀବ ମିଶାଅ ।

ଏକାକ୍ଷର ସ୍ମରି ଏକଭାବ କରି ଆତ୍ମାନନ୍ଦ ସୁଖ ପାଅ ।୨।

ମୋ ଦେହ ମୁଁ ଦେହ ଚିନ୍ତି ଅହରହ ଦେହାଭିମାନେ ନ ମଜ୍ଜ

ଦେହାତୀତ ତତ୍ତ୍ୱେ ମଜ୍ଜି ଶୁଦ୍ଧଚିତ୍ତେ ଆତ୍ମା ଚିନ୍ତି କର କାର୍ଯ୍ୟ

ରେ ମାନସ । ମୁଁ ଆତ୍ମା ଏ ଜ୍ଞାନ ହେଜ

ମଧୁଦାସ ବୋଲେ ଆତ୍ମାଜ୍ଞାନ ହେଲେ ନ ଦଣ୍ଡଇଁ ଯମରାଜ ।୩।

***

ଆତ୍ମା ଠାକୁର ସେବା ତତ୍ତ୍ୱ

ଦେଉଳରେ ନିତି ପୂଜା ଯେ ହୁଅନ୍ତି ଜଡ଼ ଦେବତା ସେ ଅଟନ୍ତି

ଚେତନ ଦେବତା କହୁଛନ୍ତି କଥା ସେ ପୂଜନ କର ସୁମତୀ ।ପଦ।

ଅଜ୍ଞାନୀ, ମୁରୁଖ, ଦୁଃଖୀ, ରୋଗୀ ଲୋକ ଚେତନ ଦେବତା ମୂରତି

ଚେତନ ଦିଅଁଙ୍କୁ ସେବ କରିବାକୁ ଆଗଭର ହୁଅ ଝଟତି ।୧।

ସତ୍ୟ, ସାମ୍ୟ, ମୈତ୍ରୀ, ଦୟା, କ୍ଷମା, ଧ୍ୱତି ସେବାଦ୍ରବ୍ୟ ରଖି ସାଇତି

ନିବୃତ୍ତି ପଦାର୍ଥେ ସେବାକରି ଘଟେ କର ସର୍ବ ଆତ୍ମେ ଭକତି ।୨।

ଈଶ୍ୱର ବୋଲିଣ କାହାକୁ ଭାବିଣ ଖୋଜୁଅଛ ଭଲା କେଉଁଠି

ତୁମ୍ଭ ସମ୍ମୁଖରେ ନାନା ସ୍ୱରୂପରେ ସେ ଆତ୍ମା ଈଶ୍ୱର ଖେଳନ୍ତି ।୩।

ମଧୁଦାସ ବୋଲେ ପ୍ରଭୁ ସବୁଠାରେ ସର୍ବଘଟେ ଆତ୍ମା ବୋଲାନ୍ତି

ସେ ଆତ୍ମା, ଈଶ୍ୱର ସ୍ନେହେ ସେବାକର ଭବାର୍ଣ୍ଣବୁ ହେବ ମୁକତି ।୪।

*

ତୀର୍ଥଧାମ

[ମୁଖେ ଭଜ ରାମ କୃଷ୍ଣ ହରି ଲୋ ଶାରୀ - ବୃତ୍ତେ]

ତୀର୍ଥ ଧାମ ଯେତେ ଅଛି ଏ ଜଗତେ

ଲୋକେ ଭ୍ରମିଣ ଦେଖନ୍ତି

ଇନ୍ଦ୍ରିୟ, ସଂଯମ, ସତ୍ୟ, ଦୟା, ସାମ୍ୟ

ଏ ସୁତୀର୍ଥେ ମିଳେ ମୁକ୍ତି

ରେ ମତୀ ! ଶ୍ରେଷ୍ଠତୀର୍ଥ ଅଟଇ ନିବୃତ୍ତି

ଅନ୍ୟେ ଭ୍ରମିଲେ ନାହିଁ ମୁକତି ।୧।

ଇନ୍ଦ୍ରିୟ ନିଗ୍ରହ କରି ହୃଦେ ଧ୍ୟାଅ

ସଦ୍‌ଗୁଣଟି ପୁରୀ କ୍ଷେତ୍ର

ବାଦ, ହିଂସା ତେଜ ଜୀବେ ଦୟା ହେଜ

ଅହିଂସା ବଦ୍ରିତା ଚିନ୍ତ

ରେ ଚିତ୍ତ । ଲୋଡନାହିଁ ପରିଶ୍ରମ ଅର୍ଥ ।

ବସିଲା ଠାବେ କର ସୁତୀର୍ଥ ।୨।

ଦୁର୍ନୀତି ନିରୋଧି ଦ୍ୱାରିକା ଆରାଧି

ଭଜ ଶ୍ରୀକୃଷ୍ଣଙ୍କ ନାମ

ସତ୍ୟ, ସାମ୍ୟ, ଶାନ୍ତି ରାମେଶ୍ୱର ଚିନ୍ତି

ଶ୍ରୀରାମ କର ସ୍ମରଣ

ରେ ମନ । କରେ ମଧୁଦାସ ନିବେଦନ ।

ଆତ୍ମା ତୀର୍ଥ କରି ଲଭ ପୁଣ୍ୟ ।୩।

*

କଲ୍‌କୀ ରୂପ

[ରାଧେକୃଷ୍ଣ ରାଧେକୃଷ୍ଣ ରାଧେକୃଷ୍ଣ ରଟରେ - ବୃତ୍ତେ]

କେ କହଇ ଜଗନ୍ନାଥ ଦାରୁକାଠ ବୋଲି ହେ

ଦିନେ ସେ କଳ୍‌କୀ ରୂପରେ ଦେବେ ମ୍ଳେଚ୍ଛ ଦଳି ହେ ।ପଦ।

ଯେତେବେଳେ ଧର୍ମ ଗ୍ଲାନି ହୁଏ ବସୁନ୍ଧରୀ ହେ

ଧର୍ମକୁ ସ୍ଥାପନ୍ତି ପ୍ରଭୁ ମ୍ଳେଚ୍ଛ ଗଣ ମାରି ହେ ।୧।

ଜଡ ବିଜ୍ଞାନରୁ ଚେତା ଜ୍ଞାନ ମହାବଳି ହେ

ମହାଶୂନ୍ୟେ ଅଶ୍ୱ ଉଡ଼ାଇବେ ଦଇତାରି ହେ ।୨।

ବାରହାତ ଖଣ୍ଡା ବାର ଆଡେ ଶୂନ୍ୟେ ବୁଲି ହେ

ମ୍ଳେଚ୍ଛଙ୍କୁ ଦଳିଣ ସାଧୁ ତାରିବେ ଶ୍ରୀହରି ହେ ।୩।

ମଧୁଦାସ କହେ କଳି ଦର୍ପ ହେଲା ଭାରି ହେ

ପ୍ରଭୁଙ୍କୁ ଡାକ ଏ ବେଳେ ଭକ୍ତେ ହୋଇ ମେଳି ହେ ।୪।

*

ଆତ୍ମାରୂପ ଭଜନ

[ବାଇ ମନରେ ବସି - ବୃତ୍ତେ]

ବାଇମନରେ । କାହିଁ ବୋଲି ନ ଖୋଜ

ରହିଛନ୍ତି ସେହି ଆତ୍ମାରୂପ ହୋଇ ନର ଘଟେ ନାରାୟଣଙ୍କୁ ଭଜ ।ପଦ।

ନାହିଁ ରୂପ ଗୁଣ ସର୍ବବ୍ୟାପୀ ବ୍ରହ୍ମ ସବୁଠାରେ ରହିଅଛନ୍ତି ହେଜ

ଚାହିଁ ନାରୀ ନର ଆତ୍ମାମୟ ସ୍ମର ପାଅ ଆଣି ସର୍ବ ଚରଣ ରଜ ।୧।

ଯହିଁ ଦେଖ ସେହି ସେ ବିନୁ କେ ନାହିଁ ସେ ଇଚ୍ଛାରେ ହୁଏ ସକଳ କାର୍ଯ୍ୟ

କହି ବୋଲିବାରେ ଜ୍ଞାନ ନାହିଁ ତିଳେ ଅନୁଭବେ ତତ୍ତ୍ୱଜ୍ଞାନ ଅରଜ ।୨।

ଧ୍ୟାୟି ଏକବ୍ରହ୍ମ ହୋଇ ସଦା ନମ୍ର ସହ ସବୁ କଥା ଧରିଣ ଧୈର୍ଯ୍ୟ

ସହିଣ ସକଳ ସହରେ ସୁମର କହେ ମଧୁଦାସ ତତ୍ତ୍ୱ ସହଜ ।୩।

*

ଭଜନ

[ରାଧେକୃଷ୍ଣ ରାଧେକୃଷ୍ଣ ରାଧେକୃଷ୍ଣ ରଟରେ - ବୃତ୍ତେ]

ଦିନଯାଏ ଚାଲି ମନ ଆୟୁ ଯାଏ ସରି ରେ

କେବେ ବୈରାଗ୍ୟ ହୋଇବ ଭଜିବୁ ଶ୍ରୀହରି ରେ ।।ପଦ।।

କେତେ ପୁଣ୍ୟ ବଳେ ନର ତନୁ ଅଛୁ ଧରି ରେ

ଦୁର୍ଲ୍ଲଭ ଜନମ ବୃଥା ନ କର ତୋହରି ରେ ।୧।

ଏ ମାୟା ଜଗତେ କେହି ନୁହଇଁ କାହାରି ରେ

ନିଜର ଯିଏ ତାହାଙ୍କୁ ଦେଲୁତ ପାଶୋରି ରେ ।୨।

ମୋହ ନିଦ୍ରାରେ ଏଣିକି ନ ହୋଇଣ ଘାରି ରେ

ଜାଗି ଉଠ ବେଗେ ଆତ୍ମାଜ୍ଞାନ ହେତୁ କରି ରେ ।୩।

କହେ ମଧୁଦାସ ଯେବେ ଭବୁ ହେବୁ ପାରି ରେ

ସତ୍ୟ ପଥେ ଚଳି ଧର ଗୁରୁ ନାମ ତରି ରେ ।୪।

*

ସାବଧାନ ଭଜନ

ହୋଇ ସାବଧାନ ଚଳ ଆରେ ମନ

ଏ ଭୀଷଣ ଭବ ବନରେ

କାମ, କ୍ରୋଧ, ଲୋଭ, ବ୍ୟାଘ୍ର, ସିଂହ, ନାଗ

ବନେ କରନ୍ତି ଗର୍ଜନ ରେ ।ପଦ।

ଧନ, ଯଉବନ ଆବର ଜୀବନ

ଅଟଇ ଅଢେଇ ଦିନ ରେ

ଅନିତ୍ୟ ସଂସାର ନାରୀ ସୁତ ଘର

ସବୁ କୁହୁକ ସମାନରେ ।୧।

କରୁ ଯେତେ ସ୍ନେହଁ କେବଳ ସେ ମୋହ

ନାହିଁ ତହିଁ ଲେଶେ ଜ୍ଞାନ ରେ

ଭାବୁ ଯାହା ଭଲ ସେ ଅଟେ ଅସାର

ସାର ଅଛି ମହାଶୂନ୍ୟରେ ।୨।

ବିବେକ ବୈରାଗ୍ୟ ଆତ୍ମା ଜ୍ଞାନସଙ୍ଗ

ମେଳରେ କର ଗମନ ରେ

ମହତ କରୁଣା ଲାଭ କଲେ ସିନା

ହୋଇବ ଭୟ ଭଞ୍ଜନ ରେ ।୩।

ଅଭୟ ଅମୃତ ନିତ୍ୟ ସତ୍ୟ ତତ୍ତ୍ୱ

ଅନ୍ତରେ କର ଭଜନ ରେ

କହେ ମଧୁ ଦାସ ପରଂହଂସ

ନ ଭୁଲ ତୁ ଆଉ ଅନ୍ୟରେ ।୪।

***

ପ୍ରଭୁ ଦର୍ଶନ

(ତାଳ – କବାଲି)

ବ୍ୟାକୁଳ ହୋଇଣ ଡାକରେ ସୁମନ

ଲଭିବୁ ଯେବେ ସେ ପ୍ରଭୁ ଦରଶନ

ପ୍ରାଣ ଯିବା ଭଳି ହୋଇଲେ ସେ ହରି

ଅନୁକମ୍ପା କରି ଆସନ୍ତି ଧାଇଁଣ ।।ପଦ।।

ଭାବଗ୍ରାହୀ ବୋଲି ସେ ନାମ ପ୍ରକଟ

ଅଭାବକୁ ଦୂର ଭାବକୁ ନିକଟ

ମାନସକୁ କରି ପାରିଲେ ପବିତ୍ର

ହୃଗଦ ମନ୍ଦିରକୁ କରିବେ ଗମନ ।।୧।।

କଳୁଷିତ ମନେ ଯେତେ ଡାକୁଥିଲେ

ନ ଶୁଣନ୍ତି ସେହୁ କି ହେବ ଡାକିଲେ

ତୀବ୍ର ବଇରାଗ୍ୟ ହୃଦେ ଜାତ ହେଲେ

ଡାକିଲେ ଶୁଣନ୍ତି ଦେବ ଭଗବାନ ।।୨।।

ସତ୍‌ସଙ୍ଗେ ସତ୍‌ଚିନ୍ତା କରିଣ ଏଣିକି

ଶିକ୍ଷାକର ଏହି ଭାବ ଭକତିକି

କହେ ମଧୁଦାସ ପ୍ରେମାନନ୍ଦେ ଡାକି

ଅର୍ପଣ କର ସେ ପାଦେ ତୋ ଜୀବନ ।।୩।।

*

ଭଲକଥା

[ଜାମୁଡ଼ାଳି ସୁର]

କହୁଅଛି ଭଲକଥା ଜାଇଫୁଲ ନ କର ରହସ୍ୟ ଥଟ୍ଟା

ଏତେବେଳୁଁ ଯଦି ନ ହେବୁ ଚେତା କି ଜାଇଫୁଲ ଲୋ ପଛେ ହେବୁ ହଟହଟା ।୧।

ଜୀବାତ୍ମା କନ୍ୟାଟି ତୁହି ଜାଇଫୁଲ ତୋ ସ୍ୱାମୀ ବ୍ରହ୍ମ ଅଟଇ

ମୁଁ ଦେହାତୀତ ନ ଭାବୁ କିମ୍ପାଇଁ କି ଜାଇଫୁଲ ଲୋ ଭାବ କରୁଛୁ କି ଧ୍ୟାଇ ।୨।

ଜଗତର ସେହି ନାଥ ଜାଇଫୁଲ କିମ୍ପା ନ ହେବେ ତୋ କାନ୍ତ

ଭୁଲି ସେହି ଆତ୍ମା ସ୍ୱାମୀଙ୍କ ତତ୍ତ୍ୱ କି ଜାଇଫୁଲ ଲୋ ଭାବୁଛୁ କେଉଁ ପଦାର୍ଥ ।୩।

ସତ୍ୟ ନୁହେଁ ଧନ ଜନ ଜାଇଫୁଲ ସବୁ କୁହୁକ ସମାନ ।

କ୍ଷଣସ୍ଥାୟୀ ସିନା ରୂପ ଯୌବନ କି ଜାଇଫୁଲ ଲୋ ସତ୍ୟ ଧର୍ମେ ରଖ ମନ ।୪।

କାମ, କ୍ରୋଧ ଲୋଭ ତ୍ରୟ ଜାଇଫୁଲ ଦିଏ ନର୍କ ଦୁଃଖ ଭୟ

ଏ ତିନିରେ ଆଉ ଲିପ୍ତ ନ ହୁଅ ଜାଇଫୁଲ ଲୋ ଗୁରୁ ଉପଦେଶ ନିଅ ।୫।

କଳି ହିଂସା ଛାଡ଼ ବେଗେ ଜାଇଫୁଲ ନାମ ଭଜ ଭକ୍ତି ମାର୍ଗେ

ମିଳି ମିଶି ଚଳ ସବୁରି ସଙ୍ଗେ କି ଜାଇଫୁଲ ଲୋ ମଜ୍ଜ ନାହିଁ ରଙ୍ଗ ଜଙ୍ଗେ ।୬।

ଲଜ୍ଜା ଭୟ ଗର୍ବ ଛାଡ଼ ଜାଇଫୁଲ ଗୁରୁ ଗୋଡ଼ତଳେ ପଡ଼

ଭକ୍ତି ଧନ ଦେଇ କର ତୁ ଦୃଢ଼କି ଜାଇଫୁଲ ଲୋ ଆତ୍ମାଜ୍ଞାନ ପାଠ ପଢ଼ ।୭।

ନିନ୍ଦା କଷଣ ସହିଣ ଜାଇଫୁଲ ବନ୍ଧା ଦିଅ ତୋ ପରାଣ

କନ୍ଦାଇ ଅନ୍ତରେ ଭଜିଲେ ନାମ କି ଜାଇଫୁଲ ଲୋ ପାଇବୁ ତାଙ୍କ ଦର୍ଶନ ।୮।

ତୁ କିଏ ? କାହୁଁ ଆସିଲୁ ଜାଇଫୁଲ ଏ ଜ୍ଞାନ ତ ନ ଜାଣିଲୁ

କାହିଁକି ଆସିଛୁ, କି କର୍ମ କରୁ କି ଜାଇଫୁଲ ଲୋ ବୁଝ ବେଗେ ଗୁରୁଠାରୁ ।୯।

ନିଜେ କିଏ ନ ଜାଣିଲୁ ଜାଇଫୁଲ ନିଜ ନାମ ଚିହ୍ନିଲୁ

ନିଜ ଘର କଥା ମନେ ନ କଲୁକି ଜାଇଫୁଲ ଲୋ କଣିଆଁ ଘରେ ଭୁଲିଲୁ ।୧୦।

ବୁଝିବୁ କେବେ ସେ ଗୀର ଜାଇଫୁଲ ଚାଲି ଯାଉଅଛି ବେଳ

ହାବୁଡ଼ିଣ ଗଲେ ସେ କ୍ରୁରକାଳ କି ଜାଇଫୁଲ ଲୋ ଭାଙ୍ଗିଯିବ ଥଟ୍ଟା ଗେଲ ।୧୧।

ଘୁରିଯିବ ତୋର ମଥା ଜାଇଫୁଲ ସରିଯିବ ସବୁକଥା

ଚାଲିଯିବ ପ୍ରାଣ ଦେଇଣ ବ୍ୟଥା କି ଜାଇଫୁଲ ଲୋ ନ ରଖିବେ ସୁତ ସୁତା ।୧୨।

ସୁଖର ସାଥୀ କୁଟୁମ୍ୱେ ଜାଇଫୁଲ ସେବେଳେ କେହି ନ ଯିବେ

ଗୁରୁ ନାମ ଦୃଢ଼େ ଭଜିବୁ ଯେବେ କି ଜାଇଫୁଲ ଲୋ ସେ ବେଳେ ତରିବୁ ତେବେ ।୧୩।

ଏକାକ୍ଷର ଗୁରୁନାମ ଜାଇଫୁଲ ସକଳ ଘଟେ ସେ ସମ

ସମଭାବେ ଆତ୍ମା ଚିନ୍ତା କରିଣ କି ଜାଇଫୁଲ ଲୋ କର ଲୋକ ହିତ କର୍ମ ।୧୪।

ନିଜମୁକ୍ତି ସ୍ୱାର୍ଥ ତେଜ ଜାଇଫୁଲ କର ଦେଶହିତ କାର୍ଯ୍ୟ

ଶ୍ରୀହରି ଭକତି ଭାବରେ ମଜ୍ଜକି ଜାଇଫୁଲ ଲୋ ସର୍ବାତ୍ମା ପ୍ରଭୁଙ୍କୁ ଭଜ ।୧୫।

ଦାସ ମଧୁ କହେ ଡାକି ଜାଇଫୁଲ ନ ଭୁଲ ଏହି ବାଣୀକି

ପର ଦୋଷ ତେଜି ସୁଗୁଣ ଶିକ୍ଷି କି ଜାଇଫୁଲ ଲୋ ସୁଶାନ୍ତି ଲଭ ଏଣିକି ।୧୬।

***

ପ୍ରଭୁ ସେବା

[କୃଷ୍ଣ ନାମ ଆଜିାଠରୁ ମୋ ଶ୍ରବଣେ - ବୃତ୍ତେ]

ପରମ ଆଦରେ ପ୍ରଭୁ ସେବା କଲେ ପାଇବ ପରମ ଗତି ହେ

ପର ନୁହେଁ କେହି ପରାପରେ ସେହି ପ୍ରଭୁ ସିନା ବିରାଜନ୍ତି ହେ ।

ପ୍ରାଣେ ପ୍ରାଣେ ସେଖେଳନ୍ତି । ପରତେ ହୋଇଲେ ମିଳେଶାନ୍ତି ହେ ।୧।

ପର୍ବତ ଗୁମ୍ପାରେ ପ୍ରଭୁଙ୍କୁ ଧ୍ୟାଇଲେ ପାଇବ କେ ଏ ଯୁଗରେ ହେ

ପାଖେ ପରା ସେହି ପରହୃଦେ ଥାଇ ପରଖନ୍ତି ନିରନ୍ତରେ ହେ

ପରହିଂସା ଥିବାଯାଏ । ପରଂବ୍ରହ୍ମଙ୍କୁ କେହି ନ ପାଏ ହେ ।୨।

ପରିହାସ, ନିନ୍ଦା, ପ୍ରାସ, ଦୁଃଖ, ବାଧା ପ୍ରଭୁଙ୍କ ପ୍ରେରଣା ଚିନ୍ତି ହେ

ପାର୍ଥିବ ସୁଖରେ ପ୍ରବୃତ୍ତପଥରେ ପ୍ରପଞ୍ଚ କର୍ମେ ନ ମାତି ହେ

ପ୍ରମାଦେ ପ୍ରମୋଦ ହୋଇ । ପର ଉପକାର କର ରହି ହେ ।୩।

ପ୍ରାଣାରାଧ୍ୟ ସେହି ପରଂବ୍ରହ୍ମ ହୋଇ ପୂରିଛନ୍ତି ସର୍ବଘଟେ ହେ

ପାସୋରିଣ ସ୍ୱାର୍ଥ ପରାପରେ ନିତ୍ୟ ସେବାକର ନିଷ୍କପଟେ ହେ

ପ୍ରାର୍ଥୀହୋଇ ମଧୁ କହେ । ପ୍ରଭୁ ସେବା କର ସର୍ବ ଦେହେ ହେ ।୪।

-୦-

ସେଦିନ ଆସିଛି ଚାଲି

ଆଗୋ ସଜ ମଉଜମଲ୍ଲି,

ରହଲୋ ସେ ଦିନ ଆସୁଛି ଚାଲି ।

ସଜବାଜ ହୋଇ ବସିଥାଆ ତୁହି,

ଘଡ଼ିକେ ତୋ ମଜ୍ଜା ଯିବ ନିକିଲି ପଦ।

ଚାହିଁଥିବୁ ତୁ ଜୁଳୁ ଜୁଳୁ,

ହେମାଳ ଉଠିବ ପାଦରୁ,

କି ହେଲା ବୋଲିଣ ତୋ କୁଟୁମ୍ୱଗଣ,

ସେକିବେଟି ନିଆଁ ପଲମଧରି ।୧।

ଦଣ୍ଡାରେ ଅଣ୍ଡିରା ବିଲୁଆ,

ରଡ଼ିଦେବ କରିଣ ଆଁ ଆଁ,

ଶୁଣିଣ ସକଳେ ହୋଇବେ ଛାନିଆଁ,

ଦୁଲୁକି ଉଠିବ କଲିଜା ଥରି ।୨।

ଠାରି ଦେଲେ ଶମନ କାଳ,

ଚାଲି ଆସିବ ଶେଷବେଳ,

ସରିଯିବ ତୋର କଉତୁକ ଖେଳ,

ଆଉ କି ହସିବୁ ତୁ କିରିକିରି ।୩।

ଛାଡ଼ିଯିବ ପ୍ରାଣ ତୋହରି,

ପଡ଼ିଯିବ କାନ୍ଦ ବୋବାଳି,

କାଢ଼ିଦେବେ ଘରୁ ମୁରୁଦାର ବୋଲି-

ମଶାଣିରେ ଲାଗିଯିବତୋ କେଳି ୪।

କହୁଛୁ ସିନା ସବୁ ମୋର,

ଶେଷବେଳେ କେ ନୁହେଁ ତୋର,

ସେ ବେଳରେ ଏକା ଗୁରୁନାମ ସାର

ମଧୁ ଭାଷେ ନାମ ନ ଯାଆ ଭୁଲି ୫।

*

ଆଧ୍ୟାତ୍ମିକ ଜ୍ଞାନ ତତ୍ତ୍ୱ

[ରାଗ - ଚୋଖି]

ଆସୁଅଛି ଯେଉଁବେଳ କରାଇବ କଲବଲ

ତହୁଁ ହେବାକୁ ଉଦ୍ଧାର ଶୁଣ ଉପାୟ ।

ସୁମନ ଗୁରୁ ଆଦେଶ ପାଳିଣ କର ଅଭ୍ୟାସ

ତେବେ ନିତ୍ୟ ଶାନ୍ତି ଲଭିବଟି ନିଶ୍ଚୟ ।

ଶୁଣ ସେ ଆଧ୍ୟାତ୍ମିକ ତତ୍ତ୍ୱ,

ଆତ୍ମାମୟ ଭାବି ତେଜ ହିଂସା କପଟ ୧।

ସେହି ଆତ୍ମା ତୁମ୍ଭେ ସ୍ୱୟଂ ନିଜେ କର ନିଜ ଲୟ

ନିଜର ନାହିଁ ମରଣ ଦୁଃଖ ବିପତ୍ତି ।

ନିଜକୁ ନିଜେ ନ ହେଜି ଭବେ କିମ୍ପା ଅଛ ମଜ୍ଜି

ନିଜେଟି ନିଜର ମୁକ୍ତି ଜ୍ଞାନ ଭକତି ।

ନିଜର ନାହିଁଟି ଶରୀର,

ଅମର ଅମୃତ ତତ୍ତ୍ୱ ନିଜକୁ ସ୍ମର ୨।

‘ମୋ ଦେହ’ ‘ମୁଁ ଦେହ’ ଚିନ୍ତି ହେଉଛି ସିନା ଅଶାନ୍ତି

ମୁଁ ଆତ୍ମା ଚିନ୍ତିଲେ ନିଶ୍ଚେ ଶାନ୍ତି ଲଭିବ

ସଂସାର ନଶ୍ୱର ଦେହେ ଲିପ୍ତ ହୋଇଥିବା ଯାଏ

ବଦ୍ଧ ଜୀବରୂପେ ଅଶାନ୍ତି ଲଭୁଥିବ

ସଂଯମ ସହିଷ୍ଣୁ ବଳରେ

ଆତ୍ମାଜ୍ଞାନ ଲାଭ କରି ଚଳ ଏ ବେଳେ ୩।

କାମନା ଆସକ୍ତି ଥିଲେ ସେ ଆତ୍ମାଜ୍ଞାନ ନ ମିଳେ

ନିଷ୍କାମ ଭାବରେ କର ସେ ଜ୍ଞାନ ଶିକ୍ଷା

ସୁମନାତ୍ମା ଗୁରୁ ଚିନ୍ତି କର ଏକାଗ୍ରତା ମତି

ଏକ ବିଶ୍ୱାସରେ ମାତି ଧର ସେ ଦୀକ୍ଷା

କହେ ମଧୁଦାସ ଡାକିଣ

ଆତ୍ମାଜ୍ଞାନ ଲଭି ଶାନ୍ତି କର ପାରଣ ୪।

*

ଆତ୍ମାଜ୍ଞାନ

[ରାଗ – ଚତ୍ରକେଳି ]

ଆରେ ଜୀବ ସଦା ମୁକ୍ତିଟି ତୁହି ।

ମୁଁ ବଦ୍ଧ ବୋଲିଣ ଭାବୁ କିମ୍ପାଇଁ ।୧।

କଳ୍ପଣା କଲାରୁ ହେଉ ଦୂଷିତ ।

କଳ୍ପଣାଟି ନ କରାଏ ମୁକତ ।୨।

କଳ୍ପଣା ତେଜି ସର୍ବ କର୍ମକଲେ ।

ଲେଶେ ମାତ୍ର ଦୋଷ ନାହିଁ ତହିଁରେ ।୩।

ତୋର ନାହିଁ ଦୋଷ ଦୂରିତ କିଛି ।

ମୋର ଭାବନ୍ତେ ସେ ଲାଗି ଯାଉଛି ।୪।

ରୋଗ ଦୋଷ ଦୁଃଖ ନାହିଁ ତୋହର ।

କିମ୍ପା ଭାବୁଅଛୁ ସବୁ ମୋହର ।୫।

ଥିବାରୁ “ମୁଁ” ‘ମୋର’ ଦେହାଭିମାନ ।

ତେଣୁ ଲଭି ନ ପାରୁ ଆତ୍ମାଜ୍ଞାନ ।୬।

ଶରୀର ସିନା ଭୋଗୁଅଛି କଷ୍ଟ ।

ତୁହି ନୋହୁଟି ଦେହ ପଞ୍ଚଭୂତ ।୭।

ହେ ଜୀବ ! ଅଦେହ ଅମର ତୁହି ।

କିମ୍ପା ବିରସ ହେଉ ଦେହ ପାଇଁ ।୮।

ମୃତ୍ୟୁ ହେବ ବୋଲି ଡରୁ କିମ୍ପାଇଁ ।

କଦାପି ତୋହର ମରଣ ନ ହିଁ ।୯।

ପୁରୁଣା ବସନ ଛାଡ଼ିଣ ଯେହ୍ନେ ।

ନୂତନ ବସ୍ତ୍ର ପିନ୍ଧୁଥାନ୍ତି ଜନେ ।୧୦।

ତେହ୍ନେ ଏ ଦେହ ପାଇଟିଣ ଯିବୁ ।

ଅନ୍ୟ ଦେହେ କି ଶୂନ୍ୟରେ ମିଳିବୁ ।୧୧।

ନୂଆ ବସ୍ତ୍ର ପିନ୍ଧିଲାବେଳେ ଚିତ୍ତ ।

ରଖୁ ଯେପରି ଭାବେ ପ୍ରଫୁଲ୍ଲିତ ।୧୨।

ତେହ୍ନେ ମୃତ୍ୟୁକାଳେ ଆନନ୍ଦ ହୋଇ ।

ଆତ୍ମା ଚିନ୍ତିବୁ ଆତ୍ମାଜ୍ଞାନ ପାଇ ।୧୩।

ମଧୁ କହେ ବେଗେ କଳ୍ପଣା ତେଜ ।

ଆତ୍ମାନନ୍ଦ ଭାବରେ ସଦା ମଜ୍ଜ ।୧୪।

-୦-

ଆତ୍ମାଯଜ୍ଞ

[ମୁଁ ସିନା ଜାଣେନା ପ୍ରେମ କି ଦରବ - ବୃତ୍ତେ]

ଆତ୍ମା ଯଜ୍ଞ କର ହୋଇବ ଉଦ୍ଧାର,

ଅଘଦୋଷ ସବୁ ହୋଇଯିବ ଦୂର

ଆଉ ଯେତେ ଯଜ୍ଞ କରୁଥାନ୍ତି ବିଜ୍ଞ,

ନୁହେଁ ମୁକ୍ତିମାର୍ଗ ବଢ଼ଇ ଜଞ୍ଜାଳ ।ପଦ।

ଯଜ୍ଞକୁଣ୍ଡ ମାପ ଚୌରାଶୀ ଆଙ୍ଗୁଳ,

ନିଜ ଶରୀରଟି ଯଜ୍ଞକୁଣ୍ଡ ସ୍ମର

ପଚିଶ ପ୍ରକୃତି ସମିଧକୁ ଧର

ଯଜ୍ଞକୁଣ୍ଡେ ନେଇ ପକାଇଣ ଜାଳ ।୧।

ବେଦୋପନିଷଦ ଅଟେ ପୁରୋହିତ,

ପଦ୍ମାସନେ ବସି ଭଜ ତତ୍ତ୍ୱ ମନ୍ତ୍ର

ଗୁରୁକୃପାରୁ ଜ୍ଞାନାଗ୍ନି ହୋଇ ଜାତ

ନ ରହିବ ମାୟା ଅଜ୍ଞାନ ତିମିର ।୨।

ବାକ୍ୟ ଶ୍ରୁତି ଚରୁ ତିଳ କରାଇବ,

ନୟନ ଶ୍ରୁବକୁ ଧିରେ ଉଠାଇବ

ମାନ ଘୃତକୁ ବ୍ରହ୍ମାଗ୍ନିରେ ଢ଼ାଳିବ

ମଧୁ କହେ ଏ ଆତ୍ମା ଯଜ୍ଞଟି ସାର ।୩।

***

ଗାୟତ୍ରୀ ତତ୍ତ୍ୱ

[ଥକାମନ ଚାଲିଯିବା - ବୃତ୍ତେ]

ଶରୀର ଗୃହାଳେ ମନ ଗାଇକି ରଖ ବାନ୍ଧିଣ

ଗାଈଟି ବଡ଼ ଓଲିଆ ଯିବ ପଘା ଛିଣ୍ଡାଇଣ ।ପଦ।

ଗାଈଟି ଅଟେ ଜୀବନ ପଶେ ଫେରେ ବାରଯୁଣ ।

ମୁଖ, ନାସା, ଚକ୍ଷୁ, କର୍ଣ୍ଣ, ଏ ଅଷ୍ଟାଙ୍ଗେ ଗାଈ ସ୍ଥାନ ।୧।

ଚୌବିଂଶାକ୍ଷର ତ୍ରିପାଦେ, ଗାଈ ଚରଇ ଠା ନାଦେ,

ପର ରଜ ଶଶ ବଦେ, ଗାଈର ଚାରି ଚରଣ ।୨।

ସେ ଗାଈକି ଯେ ଚିହ୍ନନ୍ତି, ତାଙ୍କୁ ବ୍ରହ୍ମାଣ କହନ୍ତି,

ଗାଈ ନ ଛନ୍ଦି ନ ଚିନ୍ତି, ପଇତା ନାଇବୀ ଭ୍ରମ ।୩।

ଚେତନା ଗୋପାଳ ହେଲେ, ଗାଈ ଦୁହିଁବ ଠେକିରେ,

ସେ କ୍ଷୀର ପିଇ ପାରିଲେ, କି କରିବ କାଳ ଯମ ।୪।

ଷଡ଼ଚକ୍ର ଷଡ଼ ମୁଖେ, ସେ ଗାଈ ଆହାର ଭକ୍ଷେ,

କହେ ମଧୁ ଗାଈ ପାଖେ, ଯୋଗାଇ ରଖ ତିରଣ ।୫।

***

ଜୀବ ବୋହୁ ତତ୍ତ୍ୱ

[ନନ୍ଦ ସୁତ ମୋର ଜୀବିକା - ବୃତ୍ତେ]

ବୋହୁ ମୋର ଘର ଭଙ୍ଗେଇ,

ପରଙ୍କ କଥାରେ ନିତି ଚଳଇ

ଘର ଗେରସ୍ତକୁ ଖାତିରି ନ କରି,

ପର ପୁରୁଷରେ ମାତି ଅଛଇ ।ପଦ।

ଭେଣ୍ଡିଆ ପଚିଶକୁ ଉଣ୍ଡି,

ବୋହୁ ଚାଲେ କନ୍ଦି ବିକନ୍ଦି

ବଡ଼ ଦୁରୁଦଣ୍ଡି ସେ ଅଣ୍ଡିରି ଚଣ୍ଡୀ

ତା ଗଣ୍ଡି ଟିକିଏ ହଲଇ ନାହିଁ ।୧।

ବୋହୁ ମୋର ନବରଙ୍ଗେଇ,

ବେଶ ହେଉଥାଏ ବାଗେଇ

ଦିନକୁ ସେ ତିନି ଫେଶନ ହୁଅଇ

ପଞ୍ଚ ବର୍ଣ୍ଣଫୁଲ ମୁଣ୍ଡେ ଖୋସାଇ ।୨।

ବୋହୁଟି ମୋହର ବାରୁଆଳି,

ବାର ଘରେ ପଶେ ସେ ଗଳି

ଛଅ ଖଞ୍ଜା ଡେଇଁ ବୋହୁଯାଏ ଚଳି

ଯେତେ ଡାକୁଥିଲେ ନ ଶୁଣେ ସେହି ।୩।

ବୋହୁ ବାବୁଆଣୀ ଅଟଇ,

ଚାଲୁଥାଏ ହାତ ହଲାଇ

କୁଟା ଖଣ୍ଡକୁ ଦି ଖଣ୍ଡ ନ କରଇ

ଗେଲ ବସରରେ ଦିନ ସାରଇ ।୪।

ରୁଷି ସେହି ନ ଖାଏ କିଛି,

ଜଳ ପବନରେ ବଞ୍ଚିଛି

ପାଞ୍ଚ ଭଲଲୋକ କଥା ନ ମାନୁଛି

ତୋ ଇଚ୍ଛାରେ ସେହି ଯାଇ ଆସଇ ।୫।

ବୋହୁ ମୋର ଚହଟ ଚମ୍ପା,

ପୁଅକୁ ଦେଖି ହୁଏ ଖପା

ମଧୁ ଭାଷେ ହେଲେ ଗୁରୁ ଅନୁକମ୍ପା

ପୁଅ ବୋହୁ ଭେଟେ ମୁକ୍ତି ମିଳଇ ।୬।

*

ପାପ ନାଶନ

[ଫାଟି ପଡିବାର ନିକୁଞ୍ଜ - ବୃତ୍ତେ]

ଅନୁତାପାଗ୍ନିରେ ପୋଡ଼ି ହୋଇଗଲେ ପାପ ହୋଇବ ବିନାଶ

ଗୁରୁ ସାଧୁଙ୍କର ମହିଁମା ବୁଝିବୁ ହୋଇଲେ ଶୁଦ୍ଧ ମାନସ ରେ

ମନୁଆଁ । ସାଧୁଙ୍କୁ ଦେଖି କି ହେବ,

ସାଧୁ ବାଣୀ ଯେବେ ପାଳଣ ପାରିବୁ ପାପ ପାରିବୁ ପାପ ସିନା ନାଶ ଯିବରେ ।।୧।।

ନିଜ ପାପ ନିଜେ ହେଜିଣ ଯେ ତେଜେ ମନ୍ଦ ପ୍ରବୃତ୍ତି ସମସ୍ତ

ଆଉ ପାପ ମୁହିଁ ନ କରିବି କହି ଯେ ଚଳେ କରି ଶପଥ ରେ

ମନୁଆଁ । ସେହି ପ୍ରାୟଶ୍ଚିତ କରେ,

ଆନୁତାପ ବିନା ପାପର ବେଦନା ନାଶ ନ ହୁଏ ଅନ୍ୟରେ ।।୨।।

ଶ୍ରୀଗୁରୁଙ୍କ ଆଜ୍ଞା କରିଲେ ଅବଜ୍ଞା ବୃଥା ହୁଏ ନାମ ଜପ ।

ସେ ଆଦର୍ଶ ପୂଜା ନ କରିଣ ରୂପ ପୂଜିଲେ ନ ହଟେ ପାପ ରେ

ମନୁଆଁ । ଗୁରୁ ଭକ୍ତ କେ କରିବ,

ଗୋରୁ ପ୍ରାୟ ଯେହୁ ସହିଷ୍ଣୁ ହୋଇବ ଗୁରୁ ଭକ୍ତି ସେ ଜାଣିବ ।।୩।।

ଆଶାଥିଲେ ରହି ପାପ ନ ଛାଡ଼ଇ ଆଶାରେ ନ ହୁଅ ମଗ୍ନ

ଥିଲେ ହିଂସାରୀତି ଦୃଶ୍ୟ ନ ହୁଅନ୍ତି ଜ୍ୟୋତିର୍ମୟ ଭଗବାନ ରେ ,

ମନୁଆଁ । ଆଶା ହିଂସା ଦୁର କର,

ମଧୁ ଦାସ ବୋଲେ ଚଳି ସତ୍ୱ ପଥରେ ଭବରୁ ହୁଅ ଉଦ୍ଧାର ।।୪।।

-୦-

ଦୀନବନ୍ଧୁ ପ୍ରଭଶ୍ରୁଙ୍କୁ ପାଇବାର ଉପାୟ

[ଫାଟି ପଡ଼ିବାର ନିକୁଞ୍ଜ - ବୃତ୍ତେ]

ଯଦି ଭୁଲି ସୁଖ ଆଦରିବୁ ଦୁଃଖ ପାଇବୁ ଦୀନବନ୍ଧୁଙ୍କୁ ।

ଦୀନ ହୀନ ହୋଇ ଡାକୁ ଥାଆ ତୁହିଣ ନ ଇଚ୍ଛ ବଡ଼ ହେବାରୁ ରେ ,

ମାନସ, ଦୁଃଖୀର ସଂଖାଳି ସେହି,

ଦୁଃଖୀଲୋକ ସିନା କରେ ସେ ଭାବନା ସୁଖୀ କି ଡ଼ାକି ପାରଇ ।୧।

ବ୍ୟାକୁଳ ଭାବରେ ତାହାଙ୍କୁ ଡାକିଲେ ନିଶ୍ଚୟ ଶୁଣିବେ ସେହି,

ଆଉ ଏକ କଥା ମନରେ ରଖିଥା କାମନା କରିବୁ ନାହିଁ ରେ ,

ମାନସ, ଯାଚି ଦେବେ ଯଦି ସୁଖ,

ସେ ଯାଚିଲା ଧନ ନ କରି ଗ୍ରହଣ ମାଗିବୁ ତାହାଙ୍କୁ ଦୁଃଖ ।୨।

କାମିନୀ, କାଞ୍ଚନେ, ଯଶ, କୀର୍ତ୍ତି, ମାନ୍ୟେ, ଭୁଲାଇ ଦେବେଟି ସେହି

ଭୋଗ ବିଳାସରେ କ୍ରୀଡା କୌତୁକରେ, କଦାପି ଭୁଲିବୁ ନାହିଁରେ

ମାନସ, ସେଟି ବଡ଼ ଦଗାଦିଆ,

ଦଗାଦେଇ ଶେଷେ ଅଲଗା ହେବେ ସେ ସାବଧାନେ ଚଳୁଥାଆ ।୩।

ପ୍ରତିଷ୍ଠା ଅଟଇ ଶୂକରୀର ବିଷ୍ଠା ଗୌରବ ଗୌରବ ନର୍କ,

ମଦ୍ୟପ ନ ସମ ଅଟେ ଅଭାମାନ ତ୍ୟାଗ କରିଣ ଏତେକ ରେ,

ମାନସ, ବହନ ନିଊନ ହୁଅ ,

ତୁଠର ପଥର ସମ ନିରନ୍ତର ସହିଷ୍ଣୁ ଗୁଣକୁ ବହ ।୪।

ସତର କଥାରେ ସତୀ ଭୁଲିପାରେ ନ ଶୁଣିବୁ କାହା କଥା,

ସହି ନିନ୍ଦା ଦୁଃଖ ପାଳି ଗୁରୁ ବାକ୍ୟ ନାମରେ ରଖିଥା ଚେତାରେ ,

ମାନସ, ପଡ଼ିଛି ବିଷମ ଘାଟୀ ,

ମଧୁ କହେ ଗୀତେ ଚାଲିଥିବୁ ଆସ୍ତେ ଭବଟି ଚିକିଟା ମାଟି ।୫।

*

କୃଷ୍ଣଭକ୍ତି

[ନୀର ଆଣି ଯାଇଥିଲି - ବୃତ୍ତେ]

କୃଷ୍ଣ କୃଷ୍ଣ କୃଷ୍ଣ ବୋଲି ଭଜ ଆରେ ମତି

କରିଲେ ଦୃଢ଼ ଭକତି ରେ ସୁମତି

ପାଇବୁ ସଦ୍‌ଗତିରେ ପାଇବୁ ସଦ୍‌ଗତି ।।୧।।

କଳି ଯୁଗେ ଭକ୍ତି ଶ୍ରେୟ ଶାସ୍ତ୍ରର ପ୍ରମାଣ

ଯୋଗ, ଯଜ୍ଞ, ଜ୍ଞାନ ଲୟରେ ସୁମନ

ଅଟଇ କଠିନରେ ଅଟଇ କଠିନ ।୨।।

ଯେହୁ ନାମ ସେହି କୃଷ୍ଣ ଏକ ଭାବେ ଚିନ୍ତି ।

ନ ଭ୍ରମ ପଢିଣ ଶ ସ୍ତ୍ରର ସୁଚିତ୍ତ

ଛାଡ଼ ନାନ ମନ୍ତ୍ରରେ ଛାଡ଼ ନାନା ମନ୍ତ୍ର ।୩।।

ସବୁ ରୂପ ଭୁଲି ଏକା କୃଷ୍ଣ ରୂପେ ରସ ।

ଗୁରୁ ଆତ୍ମେ କୃଷ୍ଣ ବାସରେ ମାନସ

କର ତୁ ବିଶ୍ୱାସରେ କର ତୁ ବିଶ୍ୱାସ ।୪।।

ତର୍କରେ ସେ ବହୁ ଦୂର ବିଶ୍ୱାସେ ମିଳନ୍ତି ।

ମଧୁ ଭାଷେ ତେଜି ଭ୍ରାନ୍ତିରେ ସୁମତି

କର ସେ ଭକତିରେ କର ସେ ଭକତି ।୫।।

*

ଠକିଲେ ଶିଖନ୍ତି

ଠକିଲେ ସିନା ଶିଖନ୍ତିରେ ମନୁଆଁ

ଠକିଲେ ସିନା ଶିଖନ୍ତି ।

ଦ୍ୱାରବନ୍ଧ ବାରେ ବାଜିଲେ ମୁଣ୍ଡରେ

ନଇଁ ନଇଁଣ ଚାଲନ୍ତି ପଦ।

ଯଦି କେଉଁ ଜନ ଦେବ ଅପମାନ

ନ ରାଗିଣ ତାଙ୍କ ପ୍ରତି ।

ସେହି ଅପମାନ ଚନ୍ଦନ ମଣିଣ

ସହୁଥାଆ ସବୁ ଭୀତି ୧।

ମାୟାମୟ ଏହି ସଂସାର ନୁହଇଁ

ଶିକ୍ଷା କ୍ଷେତ୍ର ଏହି କ୍ଷିତି ।

ଆପଣାକୁ ଛାତ୍ର ଭାବି ହୁଅ ଛୋଟ

ଶିକ୍ଷାକର ଜ୍ଞାନ ଭକ୍ତି ।୨।

ସହି ନିନ୍ଦା ବାଧା ନାମେ କର ଶ୍ରଦ୍ଧା

ପଛକୁ ନ ଯାଅ ହଟି ।

ସତ୍ୟ ପଥେ ଚାଲ ହରି ହରି ବୋଲ

ଲଭିବୁ ନିଶ୍ଚୟ ଶାନ୍ତି ୩।

ସର୍ବ ଘଟେ ସେହି ସର୍ବ କର୍ତ୍ତା ରହି

ପରୀକ୍ଷା କରୁଥାଆନ୍ତି

କହୁ ଯିଏ ଯାହା ମଧୁ କହେ ତାହା

ସେ ପ୍ରଭୁ ସିନା କହନ୍ତି ୪।

*

ଦୂର ବନ୍ଧୁ ଭାବ

ଦୂର ବନ୍ଧୁଟି ସୁନ୍ଦର ଲୋ ସଜନୀ

ଦୂର ପରବତ ଶୋଭା

ଦରଦର ହସି ଦୂର ବନ୍ଧୁ ଆସି

ଦେଖିଲେ ହୁଅଇ ଲୋଭା ।ପଦ।

କେତେ ଦୂରେ ପଦ୍ମ କେତେ ଦୂରେ ଅର୍କ

ସେ ବନ୍ଧୁତାର ପ୍ରତିଭା ।

ଚନ୍ଦ୍ର କୁମୁଦିନୀ ଅଭେଦ ପୀରତି

କିଏ ନ ଜାଣିଛି ଅବା ୧।

ଯେତେ ବନ୍ଧୁ ଭବେ ସ୍ୱର୍ଥେ ସାଥୀ ସର୍ବେ

ହେଉଥାଏ ଦେବା ନେବା

ଦୂର ବାଟ ବନ୍ଧୁ ପ୍ରଭୁ କୃପାସିନ୍ଧୁ

ନାହିଁ ତହିଁ ନେବା ଦେବା ୨।

ନିକଟକୁ ଦୂର ଦୂରକୁ ନିକଟ

ସେ ବନ୍ଧୁ ଭାବ ଭାବିବା ।

ଯହିଁ ଭାବ ତହିଁ ସେ ବନ୍ଧୁ ମିଳଇ

ମଧୁ ବାବାର ସେ ବାବା ।୩।

*

ପରୋପକାର ଭଜନ

[ଥକାମନ ଚାଲଯିବା - ବୃତ୍ତେ]

ପରୋପକାରଟି ପୁଣ୍ୟ, ପରହିଂସା ମହାପାପ ।

ପର ପରମେଶ ନାମ, ହୃଦେ ମନ କର ଜପ ।ପଦ।

ପାଳିଣ ଅହିଂସା ସତ୍ୟ, ପର ପରଂବ୍ରହ୍ମ ଚିନ୍ତ,

ପରହିତ କର ନିତ୍ୟ, ସହିଣ କଷଣ ତାପ ୧।

ପରହୃଦେ ଦେଇ ବ୍ୟାଥା, ପ୍ରଭୁଙ୍କୁ ଜପିବା ବୃଥା,

ପରହୃଦେ ପରମାତ୍ମା, ପ୍ରାଣେ ହୋଇଛନ୍ତି ଗୋପ୍ୟ ।୨।

ପବିତ୍ର କରିଣ ମତି, ପରସେବା କର ନିତି,

ପଚ ସେବା ଶ୍ରେଷ୍ଠ ଭକ୍ତି, ପର ସେବା ମହା ତପ ।୩।

ପର ଗୁରୁ ପରସାଧୁ, ପରଟି ପରମ ବନ୍ଧୁ,

ପିଲାମନ କରି ମଧୁ, ଚିନ୍ତୁ ପର ମାଆ ବାପ ୪।

*

(ଠାକୁରଙ୍କୁ ପାଇବାପାଇ ଉପାୟ)

[ବିତଳକୁ ଆଲିଙ୍ଗନ ସ୍ୱର]

ପାଇବ ଯେବେ ଠାକୁର, ପର ଉପକାର କର,

ଛାଡ଼ ହିଂସା, କ୍ରୋଧ, ଛନ୍ଦ, କପଟମାନ

ପରଟି ପରମେଶ୍ୱର, ପରଙ୍କୁ ନଭାବ ନର,

ପର ଘଟେ ପୂରିଛନ୍ତି ପରମ ବ୍ରହ୍ମ ।

ପ୍ରଭୁଦୟା କରିବେ ଚିତ୍ତେ,

ପରହିତେ କର୍ମ କର ଏହି ଜଗତେ ୧।

ପରଠାରେ ହିଂସା କରି, ପରଦୋଷ, ଗୁଣଧରି

ଧର୍ମ ଯୋଗ, କର୍ମ କଲେ ସର୍ବ ବିଫଳ,

ପ୍ରସନ୍ନ ହେବେ ଠାକୁର, ସର୍ବ ଜୀବେ ଦୟାକର,

ସର୍ବସହ ହୋଇ ସମ ଭାବ ଆଚର ।

ପ୍ରେମ ଭକ୍ତି ଜାଣିବ ଯେବେ,

ପରକୁ ଆପଣା କରି ଚଳ ଏ ଭବେ ।୨।

ପରଶଂସା, ନିନ୍ଦା ସବୁ, ସମନକରି ଘେନ ବାବୁ,

ଦୁଃଖ ସୁଖ, ରୋଗ, ଶୋକେ ରହ ସମାନ,

ପ୍ରୀତି କରି କୃଷ୍ଣ ପାଦେ, ସର୍ବଦା ରହ ଆନନ୍ଦେ,

ପରଙ୍କର ହୃଦରେ ନ ଦିଅ କଷଣ ।

ପୂରିଛନ୍ତି ସେ ସର୍ବ ଘଟେ,

ପାହିଲେ ରଜନୀ ରବି ଯେହ୍ନେ ପ୍ରକଟେ ।୩।

ପିଲା ବଡ଼ ଯେତେ ଜନ, ଶ୍ୱାନ ଆଦି ଜୀବଗଣ

ସମସ୍ତଙ୍କ ଦେହେ ଶ୍ରୀଗୁରୁଙ୍କ ବିଶ୍ରାମ,

ପରମ ଗୁରୁ ସରବେ, ଆତ୍ମା ରଖ ଶିଷ୍ୟଭାବେ,

ଏ ଭାବେ ରହିଲେ ନିଶ୍ଚେ ହୋଇବ ଜ୍ଞାନ ।

ପିଲା ହୀନ ମଧୁ ଦାସର,

ପରଙ୍କ ଚରଣ ତଳେ ଶତ ଜୁହାର ୪।

*

ମନ ଶିକ୍ଷା ଭଜନ

[ତାଙ୍କୁ କିଏ ବୋଲୁଥାଇ ଗୋ - ବୃତ୍ତେ]

ମନ ଅବୁଝା ନ ହୁଅତେ,

ଆଗେ ନିଜକୁ ନିଜେ ବୁଝାଅ ।

ବିବେକ ସଙ୍ଗରେ ବିଚାର କରିଲେ

ହେବ ତୋ ଜ୍ଞାନ ଉଦୟ ।ପଦ।।

ବାଛି ନିଜ ଦୋଷ କରି ସୁମାନସ

ପର ପରମେଶ ଧ୍ୟାଅ,

ନିଜେ ଭଲ ହେଲେ ଦେଖିବୁ ନେତ୍ରରେ,

ଏ ଦୁନିଆଁ ଆତ୍ମାମୟ ।୧।।

ସବୁଠାରେ ସେହି ଏକ ବ୍ରହ୍ମ ଧ୍ୟାଇ

ଏକାକ୍ଷରେ କର ଲୟ

ଗୁରୁ ବାକ୍ୟ ପାଳି ସର୍ବ ସଙ୍ଗେ ମିଳି

ହୁଅ ସଦା ସର୍ବସହ ।।୨।।

ହୋଇଲେ କ୍ରୋଧାନ୍ଧ ଦିଅଇ ପ୍ରମାଦ

ସଦା ଶାନ୍ତ ନମ୍ର ହୁଅ,

ନିଷ୍କାମ ନିର୍ଲୋଭେ ଚଳିଲେ ଏ ଭବେ

ନ ରହିବ ଦୁଃଖ ଭୟ ।୩।।

ତୋ ନେତ୍ର ଆଗରେ ସର୍ବତ୍ମା ରୂପରେ

ସେ ପ୍ରଭୁ ସ୍ୱୟଂ ବିଜୟ

କହେ ମଧୁଦାସ ତେଜି ହିଂସା ଦ୍ୱେଷ

ହୁଅ ବେଗେ ଲୋକ ପ୍ରିୟ ।୪।।

*

ମନ ସଫା ହେଲେ ଗାଡ଼ିଆ ଗଙ୍ଗା

ମାନସ, ବେଗେ ତୁ ହୁଅ ପବିତ୍ର ରେ ମାନସ

ବେଗେ ତୁ ହୁଅ ପବିତ୍ର

ମନ ସଫା ହେଲେ ଗାଡ଼ିଆ ଭିତରେ

ହେବ ଗଙ୍ଗା ଦେବୀ ଭେଟ ପଦ।

ମନ ନିରିମଳ ନାହିଁଟି ଯାହାର

ବୃଥା ହୁଏ ତୀର୍ଥ ବ୍ରତ ।

ମୁଖେ ହରି ହରି କହିଲେ ନ ତରି

ମନେ ନାହିଁ ଯେବେ ସତ୍ୟ ୧।

ମାୟା ସଂସାରରେ ପଡ଼ି ନିରନ୍ତରେ

ନ ହୁଅ ତୁ ଛଟପଟ ।

ମନରୁ ମଇଳା ଯତନରେ ଓଳା

ଲଭିବୁ ଅମୃତ ତତ୍ତ୍ୱ ।୨।

ମନ ଶୁଦ୍ଧ ହେଲେ ସୁମନ ଆତ୍ମାରେ

ହୁଅଇ ବ୍ରହ୍ମ ସାକ୍ଷାତ ।

ମଧୁଦାସ ବୋଲେ ତୋହରି ପାଖରେ

ପୂର୍ଣ୍ଣ ଧର୍ମ ମୁକ୍ତି ଅର୍ଥ ।୩।

-୦-

ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ

[ଫୁଲ ଫୁଟିଛି ଜଗତେ - ବୃତ୍ତେ]

ଯେ ପାଞ୍ଚଇ ପରମନ୍ଦ ।

ତାହାର ମନ୍ଦ ନିଶ୍ଚୟ ପାଞ୍ଚନ୍ତି ଗୋବିନ୍ଦ ।ପଦ।

ଯହିଁ ଲାଗିଥାଏ କଳିଗୋଳ ହିଂସା ଦ୍ୱନ୍ଦ ।

ତହିଁ ସାକ୍ଷୀ ରୂପେ ଦେଖୁଥାନ୍ତି ଆଦିକନ୍ଦ ।୧।

ଯଦି ପ୍ରଭୁଠ ରେ ମନ କରୁଅଛୁ ଦୃଢ଼

ସେ ବିଚାରିବେ ତୁ କିମ୍ପା ପାଞ୍ଚୁ ପର ବାଦ ।୨।

ଯେ ତୋତେ ହିଂସୁ ତୁ ତାକୁ ନ ଦେଏ ବିପଦ

ଦେଖିବୁ ପ୍ରଭୁ ତାହାକୁ ଦେବେ ପରମାଦ ।୩।

ନିର୍ଦ୍ଦୋଷୀ ଖଲାସ ହୋଇ ଦୋଷୀ ପାଏ ଦଣ୍ଡ

ମଧୁ ବୋଲେ ସୁବିଚାରକ ସଚ୍ଚିଦାନନ୍ଦ ।୪।

***

ଈଶ୍ୱର ଯାହା କରନ୍ତି ମଙ୍ଗଳ ପାଇଁ

ଭଜନ

ଈଶ୍ୱର ଯାହା କରନ୍ତି ଜୀବର ମଙ୍ଗଳ ପାଇଁ

ସେ ସଦା ମଙ୍ଗଳମୟ ଭାବି ଭଜ ମନ ଜାଇ ।ପଦ।

ପଡ଼ିଲେ ଦୁଃଖ ବିପତ୍ତି, ପ୍ରଭୁଙ୍କୁ ଲୋକେ ଡାକନ୍ତି

ସୁଖବେଳେ ଭଲା ଚେତି କିଏ ସେ ତାଙ୍କୁ ଡାକଇ ।୧।

ଜୀବର ପରମ ଭାବ, ଅଟଇ ଅସଲ ଶୁଭ,

ଅଶୁଭ ଭବ ବିଦ୍ଭବ ଭକ୍ତ କେବେ ନ ଲୋଡଇ ।୨।

ଦେହ ମଙ୍ଗଳ କାମନା, ଭକ୍ତ ନ କରେ ଭାବନା,

ଜୀବର ମଙ୍ଗଳ ସିନା ଭକ୍ତର ଲୋଡ଼ା ଅଟଇ ।୩।

ମଧୁଦାସ କହେ ମନ, ହେବାକୁ ତୁହି ଶାସନ,

ମିଳେ ଦୁଃଖ ଅପମାନ ନ ବୁଝୁ ଭଲା କିମ୍ପାଇଁ ।୪।

*

ମନଶିକ୍ଷା

ନିଜେ ନିଜ ଦୋଷ ନ ଧରି ମାନସ

ପର ଦୋଷ ଭଲା ଧରୁ କିମ୍ପାଇଁ ।

ଆପେ ଭଲ ହେଲେ ଏ ଦୁନିଆଁ ଭଲ

ଏ କଥାକୁ ଚେତା କରରେ ତୁହି ।ପଦ।

କିଏ ସେ ନିର୍ଦ୍ଦୋଷୀ କିଏ ଭଲା ଦୋଷୀ

ଜଣେ ପରା ସବୁ କଥା ଦେଖଇ ।

ସେ ବିଶ୍ୱର କର୍ତ୍ତା ବିଚାର କରିବେ

ତୁ କିମ୍ପା ବିଚାର କରୁଛୁ ରହି ।୧।।

କିଏ କି ଭବରେ ଭାବୁଛି ଅନ୍ତରେ

ସେ ଭାବନା ଜାଣି ନ ପାରେ କେହି

ଯା ମନ ଯେପରି ତାହାକୁ ସେପରି

ଭଲ କିବା ମନ୍ଦ ଫଳ ମିଳଇ ।।୨।।

ଯେ ଯେଉଁ ରଙ୍ଗର ଚଷମା ପିନ୍ଧଇ

ତାହାକୁ ସେ ରଙ୍ଗ ଦେଖା ହୁଅଇ

ମଧୁ କହେ ତୁହି ଶୁଦ୍ଧ ହେଲେ ଯହିଁ

ଚାହିଁଣବୁ ଶୁଦ୍ଧାତ୍ମା ଦେଖିବୁ ତହିଁ ।।୩।।

*

ଗୁରୁ ଆଜ୍ଞା ଗରୀୟସୀ

ଗୁରୁ ଆଜ୍ଞା ଗୋଟି ଗରୀୟସୀ ଚିନ୍ତି

ଗୁରୁ ଆଜ୍ଞା ବେଗେ ମାନ

ଗୁରୁଙ୍କର ଆଜ୍ଞା କରିଲେ ଅବଜ୍ଞା

ଭବୁ ନ ହୋଇବୁ ତ୍ରାଣ,

ରେ ମନ । ଗୁରୁଙ୍କ ନର ସମ ନ ମଣ ।

ଗୁରୁଦେବ ସ୍ୱୟଂ ଭଗବାନ ।୧।

ଶ୍ରୀଗୁରୁଙ୍କଠାରୁ ଗୁରୁ ଆଜ୍ଞା ଗରୁ

କିମ୍ପାଇଁ ଯାଉ ଭୁଲିଣ ।

ଗୁରୁ ବାକ୍ୟ ଭୁଲି ଭଜୁଥିଲେ ହରି

ନ ହୋଇବୁ ପରିତ୍ରାଣ,

ରେ ମନ । କି ହେବ କଲେ ଜପ ପୂଜନ ।

ବୃଥା ଧ୍ୟାନ ସାଧନ ଭଜନ ୨।

ଗୁରୁ କହିଥିଲେ “ଚଳି ସତ୍‌ପଥରେ

ହେବୁ ସହିଷ୍ଣୁ ସୁଂଯମ

ଚୋରି, ଦାରୀ, ହତ୍ୟା, ମିଥ୍ୟା ତେଜି ଚିନ୍ତା

କରୁଥିବୁ ସତ୍ୟଧର୍ମ”,

ରେ ମନ । ସେ ବାକ୍ୟ କରୁଛୁ କି ପାଳନ ?

ଏବେ ଶୁଣି ହୁଅ ସାବଧାନ ୩।

ଗୁରୁ ଯେଉଁ ପରି ହୁଅନ୍ତୁ ତାଙ୍କରି

ଦୋଷ କଦାପି ନ ଚିନ୍ତି ।

ଗୁରୁ ଆଜ୍ଞା ଗରୀୟସୀ ବୋଲି ଭାଳି

ଆଜ୍ଞା ମାନି ଚଳ ନିତି,

ରେ ମତି । ଗୁରୁ ଆଜ୍ଞା ଦିଏ ଆତ୍ମେ ଶାନ୍ତି ।

ଗୁରୁ ଆଜ୍ଞା କରେ ଭବୁ ମୁକ୍ତି ।୪।

 

ମନଶିକ୍ଷା

ମନ ବାତୁଳ ହୋଇଲୁରେ,

ଏତେ ବୁଝାଇଲେ ନ ବୁଝିଲୁ

ହରି ନାମାମୃଢେ ନ ରସି ନିରତେ

ବିଷୟା ବିଷେ ରସିଲୁ ପଦ।

ମୃଗତୃଷ୍ଣା ଚାହିଁ ଜଳ ବୋଲି ଧାଇଁ

ଧାଇଁ ଭବରେ ଭ୍ରମିଲୁ

ନ ମେଣ୍ଟିବ ଶୋଷ ହୋଇଣ ନିରାଶ

ନାଶ ହେବୁ ସିନା ଓଲୁ ୧।

ନାମ ରସ ତେଜି ତମ ଗୁଣେ ମଜ୍ଜି

କାମ ରସରେ ମାତିଲୁ

ଢ଼ମ ପଣ ବହି ଯମ ପାଶେ ନେଇ

ନିଜ ତଣ୍ଟି ଦେଖାଇଲୁ ୨।

ଏ ମାୟା ଜଗତ ଅଟଇ ଅସତ୍ୟ

କିମ୍ପା ସତ୍ୟ ବୋଲି ଭାଳୁ

ସତ୍ୟ ଏକା ଆତ୍ମା କର ସେହି ଚିନ୍ତା

ତରି ଯିବୁ ଏ ଭବରୁ ୩।

*

ନିଜତତ୍ତ୍ୱ

ରେ ମନୁଆଁ, ନିଜକୁ ତୁ ଚିହ୍ନିଲୁ ନାହିଁ

ନିଜେଟି ନିଜର ଭାଗ୍ୟ ବିଧାତା ଅଟଇ ରେ ପଦ।

ନିଜେ ଯେପରି କରିବୁ, ସେ ପରି ସିନା ଭୋଗିବୁ

ସ୍ୱକର୍ମାନୁସାରେ ଜୀବ ଫଳ ଭୋଗୁଥାଇରେ ୧।

ବୁଦ୍ଧି ବିବେକ ଜ୍ଞାନରେ, ଜୀବ ଶିବ ହୋଇପାରେ

ଶ୍ରୀଗୁରୁ କୃପାବଳରେ ଅଜ୍ଞାନ ଘୁଞ୍ଚଇରେ ୨।

ନିଜକୁ ପାରିଲେ ଚିନ୍ତି, ନ ରହିବ ତମ ଭ୍ରାନ୍ତି

ସବୁଠାରେ ଜ୍ଞାନ ଜ୍ୟୋତି ଦର୍ଶନ ହୁଅଇ ରେ ୩।

ମଧୁଦାସ କହେ ମନ ନିଜେ ନିଜ ଆତ୍ମାଜ୍ଞାନ

ନିଜେ ଆତ୍ମାବୋଲି ଚିହ୍ନ ଭରମ ନ ହୋଇରେ ୪।

***

ମନ ଶିକ୍ଷା ଭଜନ

[ଆରେ ମନ ମୋର ମୁଁଣ ଯେ - ବୃତ୍ତେ]

ଆରେ ମନ ଅନ୍ଧା,

ବେଗେ ଭାଙ୍ଗି ଦେଏ ତୋର ମୋହ ନିଦ୍ରା ପଦ।

ରାଧା ତୋ ଶୁଦ୍ଧ ଜୀବାତ୍ମା ହେଜି,

ନନ୍ଦାତ୍ମଜ ବ୍ରହ୍ମେ ହୁଅ ରାଜି,

ହୃଦାକାଶ କୁଞ୍ଜେ ପ୍ରେମାନନ୍ଦେ ମଜ୍ଜି

ପାନକର ଭାବ ରସ ସୁଧା ୧।

ଫନ୍ଦା କଲେ ସେହି ପ୍ରଭୁ ଭକ୍ତି;

ବଦାଭ୍ୟାସ ତୋର ଯିବ ହଟି,

କଦାପି କଦର୍ଯ୍ୟ ମାୟାରେ ନ ମାତି

ଅନ୍ଦାଳ କର ସେ ପାଦ ସଦା ୨।

ନିଦା ପଥର ସମାନ ହୋଇ,

ନିନ୍ଦା ବାଧା ଦୁଃଖ ସବୁ ସହି,

କନ୍ଦାଇ ଅନ୍ତର କହ ଗୁରୁ ତ୍ରାହି,

ଗୁରୁ କୃଷ୍ଣ ନାମେ କର ଶ୍ରଦ୍ଧା ୩।

*

ମନଶିକ୍ଷା

ମନୁଆଁ, ଏଡ଼ିକି ନିଲଠା ହେଲୁ ।

ଛାଡ଼ି ନାହୁଁ କାମ, କ୍ରୋଧ ଲୋଭ ତମ

ମିଛେ ଭକ୍ତ ବୋଲାଇଲୁ ପଦ।

ମାଡ଼ିନାହୁଁ ଦିନେ ବୈରାଗ୍ୟ ଭୂଇଁକି

କେଉଁ ବୃନ୍ଦାବନ ଗଲୁ ।

ତଡ଼ି ନାହୁଁ ହିଂସା,ମିଥ୍ୟା କଟୁଭାଷା

ଶ୍ଳୋକ ଗୀତ କେତେ ବୋଲୁ ୧।

ବୁଡ଼ିନାହୁଁ ଥରେ ଭକ୍ତି ଭବାବ୍‌ଧିରେ

କେଉଁ ତୀର୍ଥେ ସ୍ନାନ କଲୁ ।

ପଢ଼ିନାହୁଁ ସର୍ବ ଆତ୍ମା ସମଭାବ

କେଉଁ ପାଠ ପଢିଥିଲୁ ୨।

ଲୋଡ଼ି ଦୁଃଖି ପଙ୍କି ସାଧୁ ଅତିଥିଙ୍କି

ସେବା କରି ନ ତୋଷିଲୁ ।

ବାଢିଣ ମିଷ୍ଟାନ୍ନ ନାନାଦି ବ୍ୟଞ୍ଜନ

କି ଦିଅଁ କୁ ଭୋଗ ଦେଲୁ ୩।

ବଢିଆ ପଣଟା ହୋଇଯିବ ବୃଥୀ

କାଳ କଥା ନ ଭାବିଲୁ ।

ଏଡ଼ି ମାୟା ରୀତି ମଧୁ କଥା ଚେତି

ଚିତ୍ତେ ଭଜ ଗୁରୁ ଗୁରୁ ୪।

*

ସବୁ ମିଛିମିଛିକିଆ

ତୋର ନୟନେ ଦେଖୁଛୁ ଯାହାରେ ବାୟା

ସବୁ ମିଛିମିଛିକିଆ,

ମାୟା ମାରୀଚିକା ଏ ଦୁନିଆଁ ରେ ବାୟା

ବିଶ୍ୱାସ କରୁଛୁ କିଆଁ ।ପଦ।।

ମାୟା ନିଦ୍ରାରେ ହୋଇ ଅଚେତା ।

ସ୍ୱପ୍ନେ ଦେଖୁ ଯେହ୍ନେ ନାନାକଥା

ନିଦ୍ରାଭଗ୍ନେ ଯେହ୍ନେ ସବୁ ମିଥ୍ୟାରେ

ତେହ୍ନେ ଅଟେ ଏ ସାଗ ଦୁନିଆଁ ।।୧।।

ମୁକ୍ତି ପଥର କଣ୍ଟକ ସମ ।

ପ୍ରାଣପ୍ରିୟା ପ୍ରଣୟିନୀ ପ୍ରେମ

ତୁତ ଜାଣି ଶୁଣି ହେଉ ଭ୍ରମରେ

କାମ କାମିନୀଟି ଦେବ ଚିଆଁ ।।୨।।

ଛୋଟ ପୁଅର ଦରୋଟି ବାକ୍ୟ ।

ମଣୁଅଛୁ ତୁ ସ୍ୱର୍ଗୀୟ ସୁଖ

ହସ ରହସ୍ୟ କ୍ରୀଡ଼ା କୌତୁକ

ଶେଷକାଳେ ନରହିବ ତାହା ।୩।।

ଅଶ୍ଳୀଳ ଚଳଚିତ୍ର ନାଟକ ।

ଖେଳ, ମେଳ, ସଙ୍ଗ, ରଙ୍ଗ ଯାକ

ସବୁଅଟେ କ୍ଷଣସ୍ଥାୟୀ ସୁଖରେ

କାୟା ମାୟାଟି ବାଦଲ ଛାୟା ।।୪।।

ଯେତେ କାମନା ଭାବନା ତୋର ।

ଭୋଗ ବିଳାସ ଆଶା ଚାତର

ଗର୍ବ ଅଭିଳାଷ ଆଡ଼ମ୍ୱରରେ

ସବୁକଥା ଅଟେ ମିଛ ମାୟା ।।୫।।

ଶାନ୍ତି ବୋଲି ଯାହାକୁ ତୁ ଭାବୁ ।

ଶେଷେ ଅଶାନ୍ତି ଦେବେରେ ବାବୁ

ଘାଣ୍ଟି ହୋଇଣ ଯେବେ ମରିବୁରେ

ସେ ବେଳରେ କେ ନହେବେ ସାହା ।।୬।।

ମଧୁଦାସ କହେ କର ଚେତା

ବ୍ରହ୍ମ ସତ୍ୟ ଏ ଜଗତ ମିଥ୍ୟା

କରି ନିତ୍ୟ ସତ୍ୟ ବ୍ରହ୍ମ ଚିନ୍ତାଚେ

ସଦା ବ୍ରହ୍ମ ବ୍ରହ୍ମ ଭଜୁଥାଆ ।୭।।

*

କାମିନୀଟି କାଳ ନାଗୁଣୀ

କାମିନୀଟି କାଳ ନାଗୁଣୀ,

ସାବଧାନେ ଚଳ ଦେବ ସେ ହାଣି ।

ଗଦ ପଦ ଯେବେ ସାଇତିଛୁ ତେବେ

ଖେଳ କରୁଥାଅ ସର୍ପିଣୀ ଘେନି ।ପଦ।

କାମିନୀର କାମ ଚାହାଁଣି

ଦେଖି ମୋହ ହୁଅନ୍ତି ମୁନି,

କେତେ ଜ୍ଞାନୀଙ୍କି ସେ ଦଂଶନ କଲାଣି

ଉବୁରି ଯିବୁ ତୁ କିପରି ପୁଣି ୧।

ମାୟାଧର ମାୟା ନ ବୁଝି

ମାୟା ଖେଳେ ଯାଉଛୁ ମଜ୍ଜି

ନିଜ ମାତୃ ସମ ଯଦି ପାରୁ ହେଜି

ଦଂଶ ନ ପାରିବ ମାୟା ଡାକିନି ।୨।

କେଳା କଳା ଗୁରୁଙ୍କ ଠାରୁ

ଗଦ ମନ୍ତ୍ର ରଖି ଥା ବେଳୁଁ

ଯଦି ବଂଶଦେବ ଖେଳ ଖେଳୁ ଖେଳୁ

ଗଦମନ୍ତ୍ରେ ବିଷ ହୋଇବ ପାଣି ।୩।

ନ ଜାଣିଣ ସେ ବିଛା ମନ୍ତ୍ର

ସର୍ପ ଗାତେ ପୂରାଇ ହାତ

କହେ ମଧୁ ଦାସ ହୋଇଯିବୁ ଶେଷ

ନ ପାଳିବୁ ଯେବେ ଶ୍ରୀଗୁରୁ ବାଣୀ ।୪।

*

ବୃଥା ଭାବନା

ବସି ଭାବୁଅଛୁ କେଉଁ ଭାବରେ

ବୃଥା ଭାବନାରେ ନାହିଁ ଲାଭ

ପ୍ରଭୁ ଇଚ୍ଛାରେ ହୁଅଇ ସର୍ବରେ

ତୋ ଭାବନା ଯେତେ ବୃଥା ହେବ ।।ପଦ।।

ପର ପରମାତ୍ମା ନ ଭଜିଲୁ

ପର ଦୋଷକୁ ବିଚାର କଲୁ

ଗୁଣ ଗୁରୁ ବ୍ରହ୍ମକୁ ନିନ୍ଦିଲୁରେ

କହ ଆଉ କେ ଭବୁ ତାରିବ ।୧।।

ଚିନ୍ତା ପଙ୍କରେ ହେଉଛୁ ଘାଣ୍ଟି

ଭ୍ରାନ୍ତି କଳ୍ପଣା ନ ଦେବ ମୁକ୍ତି

ଚିନ୍ତି ପାରିଲେ ଗୁରୁ ସୁମତିରେ

ଶାନ୍ତି ଲଭିବ ତୋହରି ଜୀବ ।।୨।।

ହୃଦେ ରଖି ହିଂସା କ୍ରୋଧ ତର୍କ

ମନେ ମନେ ହେଉ ଭଦ୍ରଲୋକ

କାଳ ମୋଡ଼ିଦେଲା ବେଳେ ବେକରେ

ଛାଡ଼ିଯିବ ଅଭିମାନ ଗର୍ବ ।।୩।।

ମଧୁ କହେ ହୁଅ ସାବଧାନ

ବୃଥା ଭାବନା ତେଜ ବହନ

ପ୍ରଭୁଠାରେ ବିଶ୍ୱାସ ରଖିଣ

କରୁଥାଆ ପ୍ରତ୍ୟହ କର୍ତ୍ତବ୍ୟ ।।୪।।

*

ସେହି ସିନା ପ୍ରେମୀ ଭକ୍ତ

ସଂସାରେ ସେହି ସିନା ପ୍ରେମୀ ଭକ୍ତ

ପର ଦୁଃଖ ଦେଖି ଯାହାର ଆଖିରୁ

ହୁଅଇ ଲୋତକ ପାତ ।।ପଦ।।

ପର ହିତପାଇଁ ନିଜେ ଦୁଃଖ ସହି

ଯେ କାର୍ଯ୍ୟ କରେ ସତତ

ଭୋକୀ ଶୋଷୀ ଚିହ୍ନି ଦେଇ ଅନ୍ନ ପାଣି

ଯେ ପ୍ରାଣ କରାଏ ତୃପ୍ତି ।୧।।

“ପର ପରଂ ବ୍ରହ୍ମ” ଏହି ବ୍ରହ୍ମଜ୍ଞାନ

ଦୀକ୍ଷାରେ ଯେହୁ ଦୀକ୍ଷିତ

ଅହିଂସା ଧରମ ପଥରେ ଗମିଣ

ପୂଜାକରେ ଯେ ଅତିଥ ।।୨।।

ପର ଆତ୍ମା ପ୍ରତି ସ୍ନେହକରି ନିତି

ହୁଏ ଯେ ପରାତ୍ମା ଭୃତ୍ୟ

ଅପମାନ ବେଳେ ହସିଣ ଯେ ବଳେ

କରେ ଶତ୍ରୁ କୋଳାଗ୍ରତ ।।୩।।

ଦୁଃଖ ରୋଗ କଷ୍ଟ ବିପଦେ ଯେ ନିତ୍ୟ

ନ ହୁଅଇ ବିଚଳିତ

ପର ଉପକାର କର୍ତ୍ତବ୍ୟ ଯାହାର

ହୁଅଇ ଯେ ସତ୍ୟନିଷ୍ଠ ।୪।।

ପରହିତେ ପ୍ରାଣ ଯେ କରି ଅର୍ପଣ

ଭଜଇ ପରମ ତତ୍ତ୍ୱ

ମଧୁଦାସ ବୋଲେ ସେ ଭକ୍ତ ପାଦରେ

କରେ ସ୍ନେହେ ପ୍ରଣିପାତ ।୫।।

***

ଅଣାକ୍ଷର ତତ୍ତ୍ୱ

[ନନ୍ଦସୁତ ମୋର ଜୀବିକା - ବୃତ୍ତେ]

ଅକରମେ ରହିବ ଯେବେ ଅଣାକ୍ଷର ତତ୍ତ୍ୱ ଜାଣିବ ତେବେ

ଅହଂ ନ ତେଜିଣ କହିଲେ ସେ ଜ୍ଞାନ

ସେ ଜ୍ଞାନଟି ବୃଥା ଅଟଇ ଭବେ ପଦ।

ଅକରମ ଅଟେ ନିଷ୍କାମ ଅଣସାଧନା ସେହି ଜ୍ଞାନ

ଅ ଅବାୟୁରେ ଅଛି ତାଳୁକାରେ

ତହିଁ ସଦା ମଜ୍ଜ ନ ଛାଡ଼ି ଲବେ ୧।

ଅମନରେ ମନ ରଖିଣ ଅନହତେ କର ଚେତନ

ଅସଂଖ୍ୟ ତପନ ପ୍ରାୟ ଜ୍ୟୋତି ବ୍ରହ୍ମ

ଦେଖିଲେ ମରିବ ସାଧନା ଠାବେ ୨।

ଅଣାକ୍ଷର ଯେହୁ ଭଜିବ ଅନହତେ ସେ ହତ ହେବ

ଅନ୍ୟ ଅଙ୍ଗ ଧରି ଯେବେ ସେ ଫେରିବ

ତମ ଗୁଣ ତାର ନ ଥିବ ଲବେ ୩।

ଅ ଅକ୍ଷରେ ମାତ୍ରା ଦେଖିଣ ଅକାରଣେ ନ ହୁଅ ଭ୍ରମ

ଅବାୟୁ ବାୟୁ ସେ ପଞ୍ଚମାତ୍ରା ଚିହ୍ନ

ମଧୁ କହେ ଲୟ ଲଗାଅ ଭାବେ ।୪।

*

ସାଧୁସଙ୍ଗ

[ମୁଁ ସିନା ଜାଣେନା ପ୍ରେମିକି - ବୃତ୍ତେ]

ସାଧୁ ସଙ୍ଗ କର ହୋଇବ ଉଦ୍ଧାର,

ସାଧୁଟି ସାକ୍ଷାତେ ପରମ ଈଶ୍ୱର

ସାଧୁ ସଙ୍ଗେ ରସ ଛାଡ଼ିବ କୃଳ୍ମଷ

ମରଣ ବେଳକୁ ନ ଦଣ୍ଡିବ କାଳ ପଦ।

ସାଧୁ, ଗୁରୁ କୃଷ୍ଣ, ଏ ତିନୋଟି ଏକ,

ଶିଖ ଏକଭାବ ନ ରହିବ ଦୁଃଖ

ସାଧୁସଙ୍ଗ କରି ଗୋପୀ ଗଲେ ତରି

ସେ ଗୋପୀକା ଭାବ ଜଗତରେ ସାର ।୧।

ସେ ସାଧୁ ଅଚ୍ୟୁତ ତ୍ରିଗୁଣରୁ ଭିନ୍ନ,

ସାଧୁଟି ଅଟନ୍ତି ମଳୟ ପବନ

ସେ ପବନ ଠୁଳେ ଜୀବ ମିଶାଇଲେ

ସେହି ସାଧୁସଙ୍ଗ ମଧୁର ଏ ଗୀର ।୨।

*

ଅଜପା ତତ୍ତ୍ୱ

[ତାଳ - କବାଲି]

ଜପ ଅଜପା ମାପ ଅମାପ, ସାଧନ କର ଅଣସାଧନା ।

ବକା ହୋଇଣ ଏକା ବସିଣ, ବଙ୍କୁ ନାଳରେ ଗଳ ସୁମନା ପଦ।

ଚକା ପକାଇ କପୋଳ ଚାହିଁ, ଟାକ ଅବାଇ ବାଇମିଳାଇ,

ଶଙ୍କା ତୁଟାଇ ସକାରେ ଧ୍ୟାଇ, ହରି ହକାରେ ଫେଡ଼ିଣ ଗୁଣା ।୧।

ମାଳି ନ ଗଡା ଜଟା ନ ବଢ଼ା, ଚିତା ନ କାଟି ଲୋଡ଼ ଅଲୋଡ଼ା,

ସୋଽହଂ ମାଳାରେ ଚିତ୍ତ ମଧ୍ୟରେ ଚିନ୍ତି ପବନେ କର ଭାବନା ।୨।

ଅହଂ ତେଜିଣ ଅକର୍ମେ ରମ, ଅହିଂସା ବ୍ରତ କର ପାଳନ,

ତୀର୍ଥ, ବରତ, ତନ୍ତ୍ରେ ନ ଭମ, ତେଜ ତୁ ମନ୍ତ୍ର, ଯନ୍ତ୍ର, କାମନା ।୩।

ତୋ ଦେହେ ଗଙ୍ଗା ଯମୁନା ତୀର୍ଥ, ସେ ତୀର୍ଥେ ପଶ ଯିବ ଦୁରିତ

ସରସ୍ୱତୀରୁ ଝରେ ଅମୃତ, ପିଅ କହଇ ମଧୁ ଅଧମା ୪।

*

ବ୍ରାହ୍ମ ମୁହୁର୍ତ୍ତବେଳେ ବ୍ରହ୍ମ ଚିନ୍ତା

[ଆଜି ତ ଅସାର ଲାଗେ ଏ - ବୃତ୍ତେ]

ବ୍ରାହ୍ମ ମୁହୁର୍ତ୍ତରୁ ଚିନ୍ତି ବ୍ରହ୍ମ ଗୁରୁ ବ୍ରହ୍ମ ମନ୍ତ୍ର କର ଭଜନ ।

ବ୍ରହ୍ମ ଅଂଶ ଜୀବ ତୁ ସେ ଐକ୍ୟ ଭାବ ବ୍ରହ୍ମଭାବି ହୁଅ ଚେତନ ।ପଦ।

ଓଁ ବ୍ରହ୍ମ ଓଁବ୍ରହ୍ମ କରିଣ ସ୍ମରଣ, ବ୍ରହ୍ମମୟ ବିଶ୍ୱ ଚିନ୍ତ ଅନୁକ୍ଷଣ,

ବ୍ରହ୍ମ ସର୍ବବ୍ୟାପୀ ଭାବିଲେରେ ମନ, ବ୍ରହ୍ମେ ହେବୁ ନିଶ୍ଚେ ବିଲୀନ ।୧।

ବ୍ରହ୍ମର ନଥାଏ ଜନମ ମରଣ, ବ୍ରହ୍ମ ସଦା ସର୍ବ ଠାରେ ପରିପୂର୍ଣ୍ଣ

ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ହୀନ ଘଟେ ଦେଖ ବ୍ରହ୍ମ ସମାନ ।୨।

ବ୍ରହ୍ମ ଭଜନଟି ମହାଶୂନ୍ୟ ଚିନ୍ତା, ବ୍ରହ୍ମ ବିନା ଆଉସବୁ କଥା ମିଥ୍ୟା

ବ୍ରହ୍ମାନନ୍ଦ ହୋଇ କଲେ ବ୍ରହ୍ମ ଚିନ୍ତା, ଚିନ୍ତାରେ ଲଭିବୁ ନିର୍ବାଣ ।୩।

ବ୍ରହ୍ମଭାବେ ସଦା ହୋଇଲେ ଜଡ଼ିତ, ବ୍ରହ୍ମ ଜୀବହୁଏ ଏକ ଜ୍ଞାନତତ୍ତ୍ୱ,

ବ୍ରହ୍ମ ଚିନ୍ତା କରି ମଧୁଦାସ ଚିତ୍ତ, ବ୍ରହ୍ମେ ହୋଇବକି ମିଳନ ।୪।

*

ପ୍ରାଣ ସ୍ୱାମୀ ତତ୍ତ୍ୱ

[ରାଗ ଚୋଖି – ବିତଳକୁ ଆଲିଙ୍ଗନ - ବୃତ୍ତେ ]

କହନ୍ତି ମାନସ ଦୁତୀ, ଶୁଣ ଗୋ ଜୀବ ଶ୍ରୀମତୀ,

ତୁମ୍ଭ ପ୍ରାଣସ୍ୱାମୀ ସଙ୍ଗେ କର ଗୋ ପ୍ରୀତି ।

କିମ୍ପାଇଁ ମାୟା ସଂସାରେ, ଭ୍ରମ ହେଉଛୁ ବୃଥାରେ,

କୁହୁକ ସମାନ ଗୃହଦେହ ସମ୍ପତ୍ତି ।

ମାୟାରେ ନ ହୁଅ ବାୟାଣୀ

କାୟା ମଧ୍ୟେ ଚିହ୍ନି ନିଜ ପରାଣ ସ୍ୱାମୀ ।।୧।।

ତୋହରି କାୟା ମଧ୍ୟରେ, ମହାଶୂନ୍ୟ ତାଳୁକାରେ,

ଅଣଅକ୍ଷରେ ଖେଳନ୍ତି ସେ ଗୁରୁ ଶ୍ୟାମ ।

ପଞ୍ଚବାୟୁ ପଞ୍ଚମାତ୍ରା, ତହିଁ କର ବ୍ରହ୍ମ ଚିନ୍ତା,

ଦୃଶ୍ୟ ହୋଇବେ ସେ ହୋଇ ପଞ୍ଚମ ବର୍ଣ୍ଣ ।

କୋଟି ସୂର୍ଯ୍ୟ ପ୍ରାୟ ସେ ଜ୍ୟୋତି,

ସେ ଜ୍ୟୋତି ବ୍ରହ୍ମଟି ତୋର ପରାଣ ପତି ।।୨।।

ଅଣଅକ୍ଷରୁ ଓଁ କାର, ପ୍ରକୃତି ପୁରୁଷ ମେଳ

ବ୍ରହ୍ମା, ବିଷ୍ଣୁ, ଶିବ ସର୍ବେ ହୋଇଲେ ଜନ୍ମ ।

ବେଦ, ଶାସ୍ତ୍ର, ଭାଗବତ, ମନ୍ତ୍ର, ଯନ୍ତ୍ର, ତନ୍ତ୍ର, ତୀର୍ଥ,

କର୍ମ, ଧର୍ମ ,ଆଦି ସବୁ ହେଲା ଭିଆଣ ।

ନିଜ ନାମ ଆତ୍ମା ହେଜିଣ,

ନିତ୍ୟ ପ୍ରେମାନନ୍ଦେ ମନ କର ମଗନ ।୩।।

ନ ବୁଝିବାରୁ ଏ ତତ୍ତ୍ୱ, ଭିନ୍ନ ଦେଖୁଛୁ ଜଗତ,

କାହିଁ କାହିଁ ବୋଲି ଖୋଜୁଅଛୁ ପ୍ରଭୁଙ୍କୁ ।

ଆପକୁ ଆପେ ଚିହ୍ନିଣ, ହୁଅ ଗୋ ଜ୍ଞାନେ ଚେତନ,

ସର୍ବ ବ୍ୟାପୀ ଚିନ୍ତି ହେଜ ସ୍ୱୟଂ ତତ୍ତ୍ୱକୁ ।

ଆତ୍ମାଜ୍ଞାନେ ମଜ୍ଜ ସୁମତି,

ମଧୁ ଭାଷେ ଆତ୍ମାଜ୍ଞାନେ ମିଳଇ ଶାନ୍ତି ।।୪।।

*

ନିଜଘର ତତ୍ତ୍ୱ

ମନରେ ! ସଂସାରଟା କୁଣିଆଁ ଘର ।

ଠୁଳଶୂନ୍ୟ ପୁରେ ନିଜ ଘର ଚାଲରେ ଚଞ୍ଚଳ ।ପଦ।

ନିଜ ଘର ପାଶୋରିଲୁ, ମାୟା ଗୃହେ ଭୋଳ ହେଲୁ,

“କାହୁଁ ଆଶିଣ କି କରୁ” ?ବେଳାବେଳି ଚେତା କର ।୧।

ଅଢାଇ ଦିନକୁ ଆସି, ବଡ଼ାଇ କରୁଛୁ ବସି ,

ବଢାଇଛୁ ସ୍ନେହ ରାଶି, ସବୁ ସ୍ନେହଟି ଅସାର ।୨।

ଇନ୍ଦ୍ରିୟ ଲାଳସେ ରସି, କେତେ ହେଉଛୁରେ ଖୁସି

କାଳ ସର୍ପ ଦେଲେ ଦଂଶି, ସରିଯିବ ମଜ୍ଜା ତୋର ।୩।

ମିଥ୍ୟା, ଧନ, ନାରୀ, ଘଟ, ମିଥ୍ୟାଟି ସବୁ ପଦାର୍ଥ,

ମିଥ୍ୟାକୁ ଭାବିଣ ସତ୍ୟ ବୃଥା ବୋଲୁ ମୋର ମୋର ।।୪।।

ସୁଖ ଭାବି ରସୁ ଯହିଁ, ଶେଷେ ଦୁଃଖ ଦେବେ ସେହି,

ଆତ୍ମାଟି ସୁଖ ଅଟଇ, ଆତ୍ମାକୁ ଚିନ୍ତ ଏଥର ।।୫।।

ଆତ୍ମା ଜ୍ଞାନେ ହୋଇ ଚେତା, ଭୁଲିଯାଅ ସବୁ କଥା,

ଏଡ଼ିଣ ମାୟା ମମତା, ଭଜ ଆତ୍ମା ଏକାକ୍ଷର ।୬।।

ମଧୁ ଦାସ କହେ ମନ, ଚିନ୍ତ ଆତ୍ମା ଭାବ ଜ୍ଞାନ,

କଳ୍ପନା କରିଣ ଶୂନ୍ୟ, ଆତ୍ମା ହୋଇ ଆତ୍ମାସ୍ମର ।୭।।

*

ବ୍ରହ୍ମ ଏକାକ୍ଷର ତତ୍ତ୍ୱ

(ନବ ବସନ୍ତ ସମୟ, ନବ ବୃନ୍ଦାବନ – ବୃତ୍ତେ)

ବ୍ରହ୍ମ ଏକାକ୍ଷର ଭାବ

ଯେବେ କଳକୀ ଲୀଳା ଦେଖିବ ହେ ।ପଦ।

ଦୁଇ କଡ଼ ଲେଖି ତାହାର ଉପରେ

ଆଠ କାହାଣକୁ ଦେବ ହେ

ଶହେ ବାର ପଣ ବାମରେ ଦେଇଣ

ଡାହାଣେ ଗାର କାଟିବ ହେ ୧।

ଦୁଇ ଓଲଟାଇ ରକାରକୁ ଦେଇ

ତା ତଳେ ଚାରି ଲେଖିବ ହେ,

ହ୍ରସ୍ୱ ଇକାରକୁ ଉପରେ ଦେଇଣ

ନାଦ ବିନ୍ଦୁକୁ ସ୍ଥାପିବ ହେ ୨।

ଅଷ୍ଟମ ମାତ୍ରାର ଏ ଏକ ଅକ୍ଷର

ମୁଖରେ ନ ଉଚାରିବ ହେ ,

ଜିହ୍ୱା ନ ହଲିବ ନାସାରେ ଚିନ୍ତିବ

ପଲକ ନ ପକାଇବ ହେ ୩।

ଅଷ୍ଟମାତ୍ରା ଅଟେ ଅଷ୍ଟଦଳ ନିତ୍ୟେ

ଅଷ୍ଟାଙ୍ଗ ଯୋଗେ ଭଜିବ ହେ

ମୁଖ, ନାସା, କର୍ଣ୍ଣ, ଚକ୍ଷୁ ଦୁଇଗୁଣ

ଅଷ୍ଟ ସଖୀ ମେଳେ ଥିବ ହେ ।୪।

ଦ୍ୱାଦଶ ଅଙ୍ଗୁଳ ଧ୍ୟେୟ ସ୍ଥଳ ବାର

ଦ୍ୱାଦଶ କୁଞ୍ଜ ଚିନ୍ତିବ ହେ

ଜୀବ ରାଧା ନେଇ ପରମେ ମିଳାଇ

ପ୍ରେମାନନ୍ଦେ ମଗ୍ନ ହେବ ହେ ।୫।

ଲଭିଲେ ସେ ପ୍ରେମ ନ ରହିବ କାମ,

ନ ରହିବ କ୍ରୋଧ, ଲୋଭ ହେ

ବ୍ରହ୍ମମୟ ବିଶ୍ୱ ହୋଇବଟି ଦୃଶ୍ୟ

ବ୍ରହ୍ମାନନ୍ଦ ହେବ ଜୀବ ହେ ୬।

ଏହି ବ୍ରହ୍ମତତ୍ତ୍ୱ ଜାଣନ୍ତି ଯେ ଭକ୍ତ

ସେ ଭକ୍ତ ସେବା କରିବା ହେ

ମଧୁ ଦାସ ବୋଲେ ଭକ୍ତ କୃପା ହେଲେ

କଳକୀ ପ୍ରଭୁ ଭେଟିବ ହେ ।୭।

*

ଶୂନ୍ୟ ଭଜନ ତତ୍ତ୍ୱ

[ଚାହାଁରେ ମିତ, ନନ୍ଦ ସୁତ - ବୃତ୍ତେ]

ଭଜରେ ଚିତ୍ତ ବ୍ରହ୍ମତତ୍ତ୍ୱ ଶୂନ୍ୟ ଭଜନ ।।

ଆସୁଅଛି ବାର, ଯାଉଅଛି ବାର,

ବାର ବାରିବାର ସଙ୍ଗରେ ଚଳ

ଅଣ ସାଧନାରେ ଅତୋଳି ତୋଳ ସ୍ଥିରେ ବସିଣ ।୧।

ନ ହଲାଇ ମୁଖ, ଦନ୍ତ ରସନା,

ନୟନ ନ ଟାଳି ସଧୀରେ ଅନାଁ

ବଙ୍କୁନାଳେ ହଂସ କରି ଭାବନା, କର ସାଧନ ।୨।

ଅନାମ ବ୍ରହ୍ମ ତାଳୁରେ ଖେଳନ୍ତି,

ନାମ ବ୍ରହ୍ମ କପୋଳରେ ଅଛନ୍ତି

ଭୁରୁ ମଧ୍ୟେ କାମବୀଜକୁ ଚିନ୍ତି, ଲଗାଅ ଧ୍ୟାନ । ୩।

ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ ତ୍ରୟ,

ତାଳୁକା, କପୋଳ, ଭୁରୁକୁ ଧ୍ୟାଅ

କର୍ମ, ଭକ୍ତି , ଜ୍ଞାନେ କରିଣ ଲୟ, ଚିନ୍ତ ସେ ଜ୍ଞାନ ।୪।

ତିନି ଗୋବିନ୍ଦରୁ ସେ ମକରନ୍ଦ,

ଗଳୁଅଛି ପିଅ ହୋଇ ଆନନ୍ଦ

ମଧୁ କହେ ଶୂନ୍ୟେ ପାଇବ ସ୍ୱାଦ ହୁଅ ତୁ ଶୂନ୍ୟ ।୫।

*

ରେ ବୋକା ଆସିଅଛୁ ଏକା ଯିବୁ ଏକା

[ଲୋ ଶାରୀ ମୁଖେ ଭଜ ରାମ - ବୃତ୍ତେ]

ରେ ବୋକା ଆସିଅଛୁ ଏକା ଯିବୁ ଏକା,

ଗୁରୁ ନାମଟି ପଥକୁ ସଖାରେ,

ବେଗେ ନାମକୁ କର ଜୀବିକାରେ

ଯାହାକୁ ତୁ ଅତି ଆଦରରେ ନିତି

କରୁଅଛୁ କୋଳ ଜକା ।

ତୋ ଅନ୍ତିମ ବେଳେ ଟିକିଏ ସେ ହେଲେ

କରି ପାରିବେ କି ରକ୍ଷାରେ ।୧।

କେଡ଼େ କୌଶଳରେ ଚୋରା ବଜାରରେ

ଅର୍ଜିଅଛୁ ସୁନା ଟଙ୍କା ।

ତୋ କିଳା ପୋତେଇ ପାରିବ କି ରହି

କାଳ ଦେଲାବେଳେ ଦେଖାରେ ।୨।

ଗରବ ଗୌରବେ କଥା କହି ଦମ୍ଭେ

ପରକୁ ମାରୁଛ ଧକ୍‌କା ।

ତୋତେ ଧକ୍‌କା ଦେଇ କାଳଗଣେ ନେଇ

କରିବେଟି ଉଠା ପକା ରେ ।୩।

ବାପା ବାପା ବୋଲି କାନ୍ଦୁଥିବେ ଝରି

ତୋର କାଳକ ବାଳିକା ।

ବାହୁନି ବାହୁନି ତୋହର ଘରଣୀ

କାଢିଦେବ ଖଡ଼ୁ ଶଙ୍ଖା ରେ ।୪।

ଗୁଣିଆ ଶମନ ଭଡ଼ାଇବ ପ୍ରାଣ

ଦେଇଣ ଗୋଟିଏ ଫୁଙ୍କା ।

ମଧୁ ଦାସ ବୋଲେ ଶେଷ ସମୟରେ

ସବୁ ହୋଇଯିବ ଫିକା ରେ ।୫।

*

ମନଶିକ୍ଷା

କେତେଦିନ ପାଇଁ ଗୃହରେ, କେତେ ଦିନ ମାୟା ସ୍ନେହ,

କେତେଦିନ ପାଇଁ ସୁତା ସୁତ ଭାଇ,

କାମିନୀ କାଞ୍ଚନ ମୋହ, ମୋ ମନରେ ।୧।

କାହିଁ ପାଇଁ ସଞ୍ଚୁ ଧନରେ, କାହିଁ ପାଇଁଣ ଅଭିମାନ,

କାହିଁ ପାଇଁ ତୋର ଏତେ ଆଡ଼ମ୍ୱର,

ରହିବୁ କେତେଟା ଦିନ, ମୋ ମନରେ ।୨।

କ୍ରୁରକାଳ ଅବିଶ୍ୱାସୀରେ, ହାବୁଡ଼ିଗଲେ ସେ ଆସି,

ସବୁ ଆଶା ଦମ୍ଭ, ସୁଖ, ଭୋଗ, ଲୋଭ,

କାଳସ୍ରୋତେ ଯିବ ଭାସି, ମୋ ମନରେ ।୩।

ପଦ୍ମ ପତ୍ରେ ଯେହ୍ନେ ନୀରରେ, ତୋ ଜୀବନ ଢଳ ଢଳ,

କ୍ଷଣକରେ ଜୀବ ତୋର ଚାଲିଯିବ,

କିଛି କଥା ନୁହେଁ ଚିର, ମୋ ମନରେ ।୪।

କେତେ ହୋଇ ମୋର ମୋର ରେ, କିଏ ସେ ଭଲା ତୋହର

ଆପଣାର କିଏ ନ ଭାବୁ ଟିକିଏ,

ଭାବିବୁ କେବେ ସେ ଗୀର, ମୋ ମନରେ ୫।

ମାୟାରେ ହୋଇଣ ବାୟାରେ, ନଷ୍ଟ ନକର ତୋ କାୟା

ଦୟାମୟ ନାମ କରିଣ ଭଜନ,

ମାୟା କଥା ଭୁଲି । ଯାଆ, ମୋ ମନରେ ।୬।

ଏ ଜଗତ ଅଟେ ମିଥ୍ୟାରେ, କୃଷ୍ଣ ନାମ ସତ୍ୟ କଥା,

ଶାନ୍ତି ନାହିଁ କାହିଁ ସବୁ କ୍ଷଣସ୍ଥାୟୀ,

ଶାନ୍ତି ଏକା ବ୍ରହ୍ମ ଚିନ୍ତା, ମୋ ମନରେ ।୭।

କୃଷ୍ଣ ନାମ ସ୍ୱୟଂ ବ୍ରହ୍ମରେ, ଆଉ ଅନ୍ୟରେ ନ ଭ୍ରମ,

କିଛି ନ ଭାବିଣ ଚିନ୍ତାକର ଶୂନ୍ୟ,

ସେହିଟି ନାମ ଭଜନ, ମୋ ମନରେ ।୮।

ନାମର ନାହିଁଟି ମୂର୍ତ୍ତିରେ, ସବୁଠାରେ ସେ ଅଛନ୍ତି ,

ବ୍ରହ୍ମରୂପେ ସେହି ସର୍ବଘଟେ ରହି,

ନିର୍ଲିପ୍ତେ ଲୀଳା କରନ୍ତି ମୋ ମନରେ ।୯।

ତୁ ମାୟାରେ ଲିପ୍ତ ହେଉରେ, ବ୍ରହ୍ମର ଅନ୍ତ ନ ପାଉ,

ନିର୍ଲିପ୍ତ ହୋଇଣ କରିଲେ ସ୍ମରଣ,

ଦିଶିବେ ସେ ଦାଉ ଦାଉ, ମୋ ମନରେ ।୧୦।

ମାୟାରେ ହୋଇ ମଗନ ରେ, ଭାବି ନପାରୁ ସେ ଦିନ,

ରବି ତଳୁ ଭଲା କିଏ କିସ ନେଲା,

ଚାଲି ଯିବୁ ହୋଇ ଶୂନ୍ୟ, ମୋ ମନରେ ।୧୧।

ଶୂନ୍ୟଘରୁ ଆସିଥିଲୁ ରେ, ଶୂନ୍ୟକୁ ଯିବୁ ଏଠାରୁ

ଶୂନ୍ୟେ ଠୁଳ ହୋଇ ରହିବୁଟି ତୁହି,

ଭଜ ଓଁ କାରେ ସେ ଗୁରୁ, ମୋ ମନରେ ।୧୨।

ଗୁରୁ ନାମ ରସ ହୁଡୁରେ, ବିଷୟା ବିଷରେ ବୁଡୁ

ଜାଣୁଛୁ ଶୁଣୁଛୁ ଚେତା ନ କରୁଛୁ,

ପୁଣି ମାୟା ରସେ ସଢୁ, ମୋ ମନରେ ।୧୩।

ନ ଭୁଲି ମଧୁ ବାଣୀକିରେ, ସତ୍ ସଙ୍ଗେ ବସ ଏଣିକି,

ପ୍ରଭୁ ଗୁଣ ଗୀତି ଶୁଣ ନିତି ନିତି,

କହୁଛି ଯୋଡ଼ି ପାଣିକି, ମୋ ମନରେ ।୧୪।

*

ଗୁଣ ଗ୍ରହଣ

[ମୁଁ ସିନା ଜାଣେନା ପ୍ରେମ - ବୃତ୍ତେ]

ମଧୁକର ଘେନେ ଫୁଲରୁ ସୁଗନ୍ଧ,

ମାଛିଟି ଦୁର୍ଗନ୍ଧ ଘେନଇ ହେ

ସୁଜ୍ଜନ ଘେନନ୍ତି ସବୁଠାରୁ ଗୁଣ

ଦୁର୍ଜ୍ଜନ ଦୋଷକୁ ଧରଇ ହେ ପଦ।

ଘୁଷୁରିକି ଭଲ ଲାଗେ ବନ୍ଧତଳ

ସୁଘିଂ ସୁଘିଂ ଖୋଜେ ମନୁଷ୍ୟର ମଳ

ତେହ୍ନେ ଦୁଷ୍ଟକରି ପରଙ୍କ ବିଚାର

ପର ଦୋଷ କହି ଶୁଣଇ ହେ ୧।

କୁଲା ଯେଉଁପରି ଚଷୁକୁ ଫିଙ୍ଗିଣ,

ତଣ୍ଡୁଳ କେବଳ କରଇ ଗ୍ରହଣ

ସାଧୁ ସେହିପରି ଦୋଷ ନ ଧରିଣ

ସବୁଠାରୁ ଗୁଣ ଶିଖଇ ହେ ୨।

ଗୁଣ ଦୋଷ ସୁଖ ଦୁଃଖ ମନ୍ଦ ଭଲ,

ରଜ ବର୍ଯ୍ୟ ବିନା ନ ହୁଏ ଶରୀର

ପ୍ରକୃତି ପୁରୁଷ ରୂପେ ସେ ଠାକୁର

ସକଳ କରିଣ କରାଇ ହେ ୩।

ମନୁଷ୍ୟ ଦେହରେ ଦେଖି ଦିବ୍ୟଜ୍ଞାନ,

ସନ୍ତୋଷ ହୁଅନ୍ତି ପ୍ରଭୁ ଭଗବାନ

ମଧୁଭାଷେ ଦୋଷ ତେଜି ଗୁଣୀଜନ

ଗୁଣକୁ ଗ୍ରହଣ କରଇ ହେ ୪।

-ସମାପ୍ତ-