ଗୋଧୂଳି

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

କବିର ସ୍ୱପ୍ନ

ମନେ ମନେ କେତେ ବସି ନିଜକୁ ମୁଁ ଧନ୍ୟ ମନେକରେ

ଯେତେବେଳେ ଚାହୁଁ ଥାଏ ଘଣ୍ଟଶିଳା ଶୋଲରୀ ଭାଲେରୀ

ନୀଳକାନ୍ତ ମାୟା ଧରି ଚଉଦିଗେ କରିବାର ଲୀଳା

ବହୁବାର ଶାଳାବତୀ ଦୂରୁ ଦୂରେ ଊର୍ମି-ଖେଳ ଖେଳି ।

 

ଚିଲିକା ସୁନ୍ଦରୀ ମୋର କେତେ ତା’ରେ ଭଲ ନାଇଁ ପାଏ

ତରଙ୍ଗ ଚିକୁରଦାମ ମୁକୁଳାଇ ତରଳ ଜ୍ୟୋତ୍ସ୍ନାରେ

ଯେବେ ତନ୍ୱୀ ହସୁଥାଏ ଶୁଦ୍ଧ ଏଇ ନୀଳାମ୍ବର ତଳେ,

କେମନ୍ତେ ଲାଗଇ ଭଲ କୋଳେ ତା’ର ସୁଖେ ବୁଲିବାରେ ।

 

ଚଉଦିଗେ ଗିରିମାଳା, ଶ୍ୟାମଶସ୍ୟ, ହ୍ରଦ ନଦ ନଦୀ

ତା’ ଭିତରେ କ୍ଷୁଦ୍ର ମୁହିଁ କବିଜନ ଲଭିଚି ଜନମ,

ଅନନ୍ତ ନିସର୍ଗ କୋଳେ ଦେଖେ କିବା ମଧୁର ସପନ

ଆପେ ଆପେ କଣ୍ଠୁ ମୋର ଝରିପଡ଼େ କବିତା ପରମ ।

 

ଏ ଭୂଇଁରେ ବେଳେ ବେଳେ ଠିଆ ହୋଇ ଶରତ ସନ୍ଧ୍ୟାରେ

ନିଃସୀମ ଗଗନେ ଚାହିଁ, ଚାହିଁ ଏଇ ଗିରିମାଳା ଥରେ

ଚାହିଁ ନୀଳ ଚିଲିକାରେ ମନେ ମନେ ଡାକଇ କାହାରେ

ମୋରେ ଏଥି ଜନ୍ମଦିଅ କବି କରି ଜନ୍ମଜନ୍ମାନ୍ତରେ ।

 

ନୀଳକାନ୍ତ ଶୋଲରୀର ଶିଖେ ଶିଖେ ବୁଲୁଥାଏ ମୁହିଁ

ଦେଖୁଥାଏ ଶୁଭ୍ର ମେଘ ଉଡ଼ିବାର ଉତ୍ତରୀୟ ପରି,

ବନକୁଞ୍ଜମାଳେ ତା’ର ଗୋଳି ହୋଇ ଅନନ୍ତ-ସୁଷମା

ପିଉଥାଏ କବି ମୁହିଁ,

ଦିନ ପରେ ଦିନ ନିତି ଯାଉ ଥାଉ ଚଳି ।

 

ବସନ୍ତ-ପ୍ରଦୋଷ ମୁହିଁ ଶାଳିଆର ସ୍ୱର୍ଣ୍ଣ ସଇକତେ

ବସୁଥାଏ ଶୁଣୁଥାଏ କୋକିଳର ଲଳିତ ପଞ୍ଚମ,

ଉଦାସେ କୃଷକ ଗୀତ ଗାଉଥାଉ ବିଲମାଳେ ରହି

ବକୁଳିତ ସହକାର ଢାଳୁଥାଉ ଗନ୍ଧ ମନୋରମ ।

 

(କେବେ) ଚିଲିକାରେ ନୀଳକାନ୍ତ ଉରସେ ମୁଁ ଉଠୁଥାଏ ଢଳି

ତରଙ୍ଗେ ତରଙ୍ଗେ ଦୋଳି ଗାଉଥାଏଁ କବିତା ପରମ

ଦୂରୁ ଯେହ୍ନେ ଦିଶୁଥାଉ ଘଣ୍ଟଶିଳା ଶୋଲରୀ ଭାଲେରୀ

ନୀଳକାନ୍ତ ମଣି-ବାଡ଼ ଗଢ଼ିଚି କେ ଶିଳ୍ପୀ ସନାତନ ।

 

ଚାହେନା ମୁଁ ଛାଡ଼ି ଏଇ ଧରଣୀର ଶ୍ୟାମଳ ନଗରୀ

ଯିବି ବୋଲି କେଉଁ ଥାନେ, ହୁଏ ଧନୀ, ହୁଏ ବା କାଙ୍ଗାଳ,

ଏଥି ମୁହିଁ ବୁଲୁଥାଏଁ, ଯୁଗ ଶତ ବିତିଯାଉ ଶିରେ,

ଦେଖୁଥାଏ ଶୋଲରୀ ଭାଲେରୀ, ଊର୍ମି ଖେଳ ସ୍ୱର୍ଣ୍ଣ ଶାଳିଆରେ ।

 

ପ୍ରଦୀପ ଗୋଟିଏ ଧରି

ସେ ଘର ତୁମର ପଡ଼ିତ ରହିଚି ଖାଲି,

ରହିବେ ଏ କବି ଭଡ଼ାକୁ ଦେବକି ଛାଡ଼ି ?

‘‘ଆଜ୍ଞା ! ମୁଁ କେବେ ଦେଇତ ପାରିବି ନାଇଁ,

ଦେଇ ମୁଁ ପାରିବି ମାଗିଲେ ଅନ୍ୟ ପାଇଁ ।’’

 

ରାତ୍ରାବାସରେ ବହୁତ ବଖରା ଖାଲି

ରହିବେ ଏ କବି ପାରିବ କି ତୁମେ

ଗୋଟିଏ ବଖରା ଛାଡ଼ି ?

‘‘ଆଜ୍ଞା, ସେ କଥା ଉଠନ୍ତୁ ନାଇଁ ଆଉ

ବିପଦ ସେ ଏଥି ରହିଲେ ଗୋଟିଏ କ୍ଷଣ

ନିଆଁ ଜାଳିଦେବ ନିମିଷକେ ଚାହୁଁ ଚାହୁଁ ।’’

 

ତୁମେ ଏ ଗାଆଁର ସରପଞ୍ଚ ତ ଜଣେ

ହେଇଟି ସେ ଘର ତୁମରି ସେ ସାଇ କଣେ,

ଲୋଡ଼ାତ ହେଉନି ପଡ଼ିଚି ଅଳିଆ ହୋଇ

ଦେଇ କି ପାରିବ ଏ କବି ରହିବା ପାଇଁ ?

 

‘‘ଆଜ୍ଞା, ସେ ଘର ବହୁତ ମୋହର ଲୋଡ଼ା

କେ, କେବେ ଆସିଲେ ରହନ୍ତି ତହିଁ ପରା

କବିଙ୍କ ପାଇଁ ସେ ଘର ? ରହିଲେ ତହିଁ

କଅଣ ଲେଖିବେ କେତେବେଳେ କାହା ପାଇଁ;

ଜାଣନ୍ତି ନାଇଁ ? ସେ ବଡ଼ ଅଡ଼ୁଆ କଥା,

ଆଉ କେ ମାଗିଲେ ଦେଇ ମୁଁ ପାରିବି

କରିବିନି ଅନ୍ୟଥା !’’

 

ଏଇ ଯେ ଦିଶୁଚି ଆଗରେ ଛତ୍ର ଘର

ନୂଆ କଲେଜର ନୂତନ ଛାତ୍ର ରହିବାର ଲାଗି

ମାରିଚ ସାଇନ୍‌ବୋର୍ଡ଼,

ଜଣ ଚାରି ଛଅ ରହିଲେ ରହିବେ ଅବା

କବିଙ୍କପାଇଁ ବଖରାଟେ ଛାଡ଼ିଦିଅ

ବୁଝିବା ଉଚିତ ଭଡ଼ା ଯାହା ଦବା ନବା ।

 

‘‘ନାଇଁହେ ଆଜ୍ଞା, ସେ ଅତି ଅସଙ୍ଗତ,

ଶିକ୍ଷକ କବି ରହିବେ ସେଠାରେ ?

କେ’ ଜାଣି ମୋହର ମନକୁ ପାଉନି

ଦେଖନ୍ତୁ ଘର ଆନ କାହିଁ ମିଳିବତ ।’’

 

ଦେଖିଲି ମୋ ଭଳି ସାମାନ୍ୟ ଜଣେ ଆଶ୍ରୟହୀନ କବି

ଭଡ଼ା ନେଇ ତାରେ ଆଶ୍ରୟ ଦେବାଲାଗି

କାହିଁକି ସଭିଏଁ ଯାଆନ୍ତି ଏତେ ଦବି !

ସବୁ ନୀଚତାର ସବୁ ଛଳନାର ଏଇମାନେ କାରବାରୀ

ଦେଖୁ ଦେଖୁ କାହୁଁ ଆଶ୍ରୟ ଦେବେ

ମୋ ଭଳି ଗୋଟାଏ ଜୀବନ୍ତ ଆଉ

ଦାଢ଼ୁଆ ଯେ ତରବାରି !

 

କେତେବେଳେ କାହା ବେକରେ ବସିବ ଚୋଟ

କିଏ କେତେବେଳେ ହୋଇପାରେ ଛଟ ପଟ,

ସେ’ଲାଗି ଏମାନେ ଆଗରୁ ଯେ ସାବଧାନ

ନିଆଁକୁ କିଏ ସେ ଆଶ୍ରୟ ଦେବ

ନିଆଁ ପରି ଯିଏ ଆଜନମୁଁ ନୁହେଁ

ନିର୍ଭୀକ ତେଜୀୟାନ ।

 

ତା’ପରେ ଦେଖିଲେ ବଂଧୁ ମୋହର ନିରୀହ କୃଷକଟିଏ

ରଅ ଠଅ ପାଠ ଜାଣିଥିଲେ ଜାଣିଥିବ,

ସେ ଭଳି ପାଠୁଆ ନୁହେଁ;

କହିଲେ ବଂଧୁ ତୁମରି ଘରର ସମ୍ମୁଖେ

ଯେଉଁ ଦିଶୁଚି ଗୋଟିଏ ବସା

ଦେଇକି ପାରିବ ରହିବେ ଏ କବି ଜଣେ !

 

‘‘ହଁ ହଁ ଆଜ୍ଞା, ପରିବି ପାରିବି ଦେଇ,

କହିଲା ସେ ତକ୍ଷଣେ;

ସେଇଭଳି ଲୋକ ରହିବେ

ମୁଁ ଟିକେ ଛପରଟା କରିଦିଏ

କାଲି ପରଦିନ ଭିତରେ ଆସିବେ

ବହୁ ଭାଗ୍ୟ ମୋ ସିଏ ।

 

ପିଠିରେ ତା’ ହାତମାରି

କହିଲି-ତୁମେହେ ଶିକ୍ଷିତ ନୋହିପାର,

ସବୁ ଶିକ୍ଷାର ମଧୁ ସଂପଦ

ଧରଣୀର ଏଇ ମରୁ ଅଙ୍ଗନେ

ତୁମ ହେ ଦେଇଚ ଢାଳି !

 

ତୁମେ ସୁନ୍ଦର, ତୁମେହେ ଉଦାର, ମୁକ୍ତ ଆକାଶ ପରି

ତୁମରି ଭିତରୁ ମହାଜୀବନର ଲାବଣ୍ୟ ପଡ଼େ ଝରି;

ତୁମରି ଓଠର ହସରୁ ଫୁଟଇ କଲ୍ୟାଣକର-ଜାଳ

ତୁମ ରସନାର ଭାଷାରେ ଦେଖୁଚି

ଚାରିଆଡ଼େ ହୁଏ ଜୀବନର ସଂଚାର ।

 

ତୁମ ଭଳି ଜଣେ ବଞ୍ଚିଥିଲେ ହେ ଏ ମାଟି ଉପରେ ଖାଲି

କେତେ ଲାଞ୍ଛିତ, ପତିତ ପାତିତ ଓ ଅବହେଳିତ

ତିଷ୍ଠିପାରିବେ ଏ ମାଟିର ଚେର ମାଡ଼ି,

ମହା ଧରଣୀର ଅମୃତଭରା ସପନ ଗୋଟିଏ ତମେ

 

ତୁମର କିଏ ସେ ଜାଣୁ ବା ନଜାଣୁ

ତୁମର କିଏ ସେ ବୁଝୁ ବା ନବୁଝୁ

ତୁମେ ଧରଣୀର ସୁଖ ଓ ଦୁଃଖ ବୁଝୁଚ

କେବଳ ଜଣେ !

 

ମହା ଧରଣୀଟା ଚାଲିଚି ଗୋଟାଏ ଅହିରାଜ ସାପ ପରି

ଏହାରି ଭିତରେ ତୁମେ ହେ ଚାଲିଚ

ଆଶା ଆଲୋକର ପ୍ରଦୀପ ଗୋଟିଏ ଧରି ।

 

ଏକାକୀ ଜୀବନର ସାଥୀ

ଏକାକୀ ଏ କୁଟୀରେ କେହିତ ନାଇଁ ଜଣେ ସାଥି,

ଏକା ମୁଁ ରହିଥାଏ, ପୁହାଇ ମୋର ଦିନରାତି !

କବିତା ଲେଖେ ଅବା ପଢ଼େ ମୁଁ ବହି ବସି ଏକା,

କା ତୁଲେ ତଥା ହେବି ମିଳେନି କ୍ଷଣେ କାର ଦେଖା ।

ବିରାମ ଯେବେ ଯାଏ ନୀରବେ ବସିଥାଏ ମୁହିଁ,

ଲାଗଇ ନିଛାଟିଆ ନିଃସ୍ୱ ଏ କୁଟୀର ଭୁଇଁ ।

 

ବିରାଡ଼ି ପିଲାଟିଏ କେଉଁଠୁଁ ଆସେ ସିଏ କାହିଁ,

ବୁଲି ଏ ଘରଯାକ ବୋବାଏ ମୋରେ ଟିକେ ଚାହିଁ ।

ତା’ପରେ ଚାଲିଯାଏ, ପୁଣି ସେ ନିମିଷକ ପରେ,

ବୁଲି ଏ ଘରଯାକ ବୋବାଏ ଚାହିଁ ଟିକେ ମୋରେ ।

ନିଇତି ଆସେ ସିଏ, ନିଇତି ମୋରେ ରହେ ଚାହିଁ,

ତା’ବିନୁ କାହା ପାଦ ଆଉ ଏ ଘରେ ପଡ଼ିନାଇଁ ।

 

ଭାଡ଼ିରେ ଚଢ଼େ କେବେ, କେବେ ସେ ଖଟ ପରେ ଡ଼ିଏଁ,

କେବେ ସେ ବାଲିଟିରୁ ଓହଟି ପାଣି ଟୋପେ ପିଏ ।

ତା’ପରେ ମୋରେ ଚାହିଁ ବୋବାଇ ଦିଏ ଥରେ, ଥରେ,

ଲାଞ୍ଜ ହଲାଇ ସେ କି ମାୟା ବୋଳି ଦିଏ ମୋରେ ।

ତା’ପର ଚାଲିଯାଏ, ସଞ୍ଜ ହେଲେ ଆସେ ଫେରି,

ଏକକୀ ଦିନମାନ ତା’ତୁଲେ ବିତେ ହସି ଖେଳି ।

 

ହୁଏତ ଦିନେ ଦିନେ ଯେବେ ସେ ନାଇଁ ଆସିଥାଏ,

ମୁଁ ତାରେ ଚାହିଁ ଚାହିଁ ପଲକ ପଡ଼େ ନାଇଁ ପ୍ରାୟେ ।

ସେ ଯେବେ ଦୈବାତ୍ କେଉଁଠି ଆସି ହୁଏ ଠିଆ,

କି ମଧୁ ବଇଭବେ ପୁଲକି ଉଠେ ମୋର ହିଆ ।

ଅସାଥି ଏ ଜୀବନେ ଦେଖେ ମୁଁ ସେଇ ମୋର ସାଥି,

ସେ ଥିଲେ ଦୁର୍ବହ ଲାଗେନି ଦେହ ମନ ଛାତି ।

 

ମୁଁ ଯେବେ ରହିଥାଏ ମଉନେ ମାରିଦେଇ ମନ,

ସେ ଛାଡ଼ିଯାଏ ନାହିଁ, ପାଖରେ ରହେ ବହୁକ୍ଷଣ ।

ମୁଁ ଯେବେ ହସୁଥାଏ ପରାଣ-ପରସନେ କାହିଁ,

ମୋ ଦେହେ ଘଷିହୋଇ ମୋରେ ସେ ରହିଥାଏ ଚାହିଁ ।

ଆସିବା ଯେବେ ମୋର ହୁଅଇ କେବେ କେବେ ଡେରି

ଦୁଆର ଜଗିଥାଏ ଯାଏନି କାହିଁ ହେଲେ ଫେରି ।

 

ଜୀବନେ ଯେତେ ଯେତେ ଆଘାତ ପ୍ରତିଘାତ ମୋର

ଜୀବନେ ଯେତେ ଯେତେ ଅଭାବ ଅଭିଯୋଗ ଘୋର

ଜୀବନେ ଯେତେ ଯେତେ ପରାଣ-ଭରା ହସଖେଳ

ଜୀବନେ ଯେତେ ଯେତେ ଆପଦ ବିପଦର ବେଳ,

ସେ ଛୋଟ ଜୀବଟିଏ କିପରି ସବୁ ପାରେ ଜାଣି ?

କି ଶିରୀ ଦିଏ ମୋରେ ନ ଫିଟୁ ଓଠୁ ପଦ ବାଣୀ !

 

ଏକାକୀ ଏ କୁଟୀରେ କେହି ତ ନାଇଁ ମୋର ସାଥି,

ସେ ଛୋଟ ଜୀବଟିଏ ତା’ ପାଖେ ଦିଏ ବୁକୁ ପାତି ।

ସେ ମୋର କଥା କହେ, ମୁଁ ତା’ରେ କହେ ମୋର କଥା,

ଲାଗେନି ପ୍ରାଣହୀନ କୁଟୀର ମହା ବିଜନତା ।

ଆଉଁସି ଦିଏ କେବେ, କେବେ, ମୁଁ ପୁଷ୍ ପୁଷ୍ ଡାକେ,

କି କୋଟିନିଧି ମୋର ସେ ଯେବେ ଖେଳେ ମୋର ପାଖେ ।

 

ତା’ କଥା ଭଲଲାଗେ, ଚାହାଣୀ ଲାଗେ ତାର ଭଲ,

ଆହୁରି ଭଲଲାଗେ ସେ ଘଷିହେଲେ ଦେହେ ମୋର ।

ଆହୁରି ଭଲଲାଗେ ଗୁଣରୁ ଦୁଇଗୁଣ ହୋଇ

ମୋ ବ୍ୟଥା ବୁଝିବାକୁ ଓହଟି ରହେ ଯେବେ ଚାହିଁ ।

ମୁଁ କେତେ ଖୁସି ହୁଏ ମୁଁ ହେଲେ ଘର ପାଖାପାଖି,

ଗୁଡ଼ାଇ ହୋଇ ପାଦେ ସେ ଯେବେ ଆସେ ମୋର ଡାକି ।

 

ମୁଁ ଯେବେ ଚାଲିଯିବି, ତିଆଗି ଏ କୁଟୀର ମାଟି

ଆସିବି ନାଇଁ ଆଉ, ଥିବି ମୁଁ, କାହିଁ ଦିନ କାଟି,

ହୁଏତ ସଞ୍ଜେ ବା ସକାଳେ ବୁଲୁ ବୁଲୁ ଚାହିଁ,

ମୋରେ ସେ ଖୋଜୁଥିବ ଘର ଓ ବାହାରକୁ ଯାଇ ।

ଟିକିଏ ବୋବାଇ ସେ ଟିକିଏ ଯାଉଥିବ ରହି,

ତା’ ବୁକୁ ତଳ ଦୁଃଖ ପାରୁ ତ ନଥିବ ସେ କହି ।

 

ମୁଁ ଯେବେ ଚାଲିଯିବି ହୁଏତ କେତେ ଦିନ ପରେ,

ସେ ଜଗି ରହିଥିବ ମୋରେ ଏ ରାସ୍ତାର କଡ଼େ ।

ମୋ ପାଟି ପରି ଦୂରୁ ଶୁଣିଲେ କାହାର ବା ପାଟି;

ଚମକିପଡ଼ୁଥିବ ଆସିବେ ଚିହ୍ନା ତା’ ସାଥି ।

ନ ଦେଖି ମୋର ହାୟ ! ନିଃସହାୟ ଶିଶୁପରି,

ନିରାଶେ ମନ କଥା ମନରେ ରଖିଥିବ ଭରି ।

 

ଅସୀମ ଧରଣୀର ଅସୀମ ଲୀଳାଖେଳା ମେଳେ,

ମୁଁ ଖାଲି ଦିଶୁଥିବି ନୟନେ ତାର ସବୁବେଳେ ।

ବିରାଟ ବିଶ୍ୱର ବକଟେ ଅଜଣା ସେ ପ୍ରାଣୀ,

ସେ ମୋର ଖୋଜୁଥିବ ଅଧୀର ହୋଇ ଦିବାଯାମୀ ।

ମୋ ବିନୁ ଖାଲି ଖାଲି ଏ ଘର ଲାଗୁଥିବ ତାରେ,

ବକଟେ ମୂକ ହିଆ ବନ୍ଦୀ ମୋରେ କରିପାରେ !

 

ପୃଥିବୀ ଛାଡ଼ି ଯେବେ ଉଭାଇ ଯିବି ଆରପାରେ

କେଉଁଠି କେତେବେଳେ ଜୀବନେ ନାଇଁ ଜାଣିବାରେ;

ସୁଦୂର ଏ ମାଟିର ନିଃସ୍ୱ ଏ କୁଟୀର ସହ

ସେ ମୋର ମନେଥିବ ଘେନି ଏ ମଧୁ ପରିଚୟ !

ଅସାଥି ଏ ଜୀବନେ ଆଖିରୁ ଲୁହା ପୋଛିଦେଇ

ମୋରେ ଯେ’ ଦେଖିପାରେ, ମୋର କି ସଂପଦ ସେଇ !

 

ପୃଥିବୀ ଛାଡ଼ି ଯେବେ ଉଭାଇ ଯିବି କେଉଁ ଭୂଇଁ,

ନିଃସ୍ୱ ଏ କୁଟୀର ସହ ସେ ଯିବ ମୋରେ ଛୁଇଁ ।

ସକଳ ଭୁଲିହୁଏ, ଭୁଲିକି ହୁଏ କେବେ ହାୟ,

ଯେ’ ଦାନ କେ’ ଦେଇଚି ମୁଁ ଥିଲାବେଳେ ଅସହାୟ !

ସକଳ ଭୁଲିହୁଏ, ଭୁଲିକି ହୋଇପାରେ କାହିଁ,

ପ୍ରାଣର ପରଶଠୁ ଆଉ ଯେ କିଛି ମାଗିନାଇଁ ।

 

ନିଭୃତ-ନିଃସ୍ୱନ

ଜୀବନର କେଉଁ ନିଭୃତ କୋଣେ

ସେ କେଉଁ ସୂକ୍ଷ୍ମ ତନ୍ତ୍ରୀର ତଳେ

ତୁମେ ଯେତେ ଯେତେ ବାଜି ବାଜି ଉଠ

ମନ୍ଦ୍ର ମଧୁର ତାନେ,

ଆଉ କେହି ବାଜେ ନାଇଁ !

ସ୍ୱପ୍ନ ବିଭୋର ହୋଇ ଉଠେ ମୁହଁ

ଦେଖେ ଚଉଦିଗେ କେହି ମୋର ନାହିଁ

ତୁମେ ରହିଅଛ ମୋ ପାଇଁ କେବଳ

ମୁଁ ଗୋ ରହିଅଛି

କେବଳ ତୁମରି ପାଇଁ !

 

ତୁମେ ଡାକୁଅଛ, ତୁମେ ଖୋଜୁଅଛ

ପାଗଳିନୀ ପରି

ସେ କେଉଁ ସୁଦୂର ପୁରେ

ତୁମରି ପରାଣ ଅମୃତ ଟିକ

ପାଇବାର ଲାଗି

ଉଚ୍ଚାଟ ହୋଇ, ଚାହିଁ ମୁଁ ରହିଚି

ବିଲବନ ଘେରା, ଏ ବିଜନ ଗେହେ

ଏଇ ନଈଟିର କୂଳେ ।

 

ଦିନ ଚାଲିଯାଏ, ମାସ ଚାଲିଯାଏ

ସବୁ ଚାଲିଯାଏ କାହିଁ,

ତୁମକୁ ଜୀବନେ ପାଇବାର ଲାଗି

ଯେ ମଧୁ ଧିଆନ,

ଦିନୁ ଦିନ କେତେ ଗଭୀରୁ ଗଭୀର ହୁଏ,

ଅବସାନ, ତାର ଆସେନି କ୍ଷଣିକ ପାଇଁ !

 

କି ଶିରୀ ଦେଇଚ, କି ନିଧି ଦେଇଚ

ସେ କେଉଁ ଜନମେ ମତେ,

କି ଶୁଭ ନିମିଷେ, କି ଶୁଭ ଚାହାଣି ଢାଳି,

ଭେଟିଚ ଗୋ ମୋରେ

ସେ କେଉଁ ବିଜନ ପଥେ;

 

କି କଥା କହିଚ ମୋର କାନେ କାନେ

କି ଆଶା ଭରିଚ ଏ ମୋର ପରାଣେ

କେତେବେଳେ କିବା ଆଦରେ ନେଇଚ

ସେ କେଉଁ କୁଟୀରେ ଡାକି

ଛାଡ଼ିଲେ ଛାଡ଼ିଚ ଲୋତକ ଲୋଚନେ,

 

କେଉଁ ବାତାୟନ ଉଢ଼ାଳେ ରହିଚ

କେତେ ଉନ୍ମନେ ଟାକି !

ଫେରିବ ! ଫେରିବ ! ଫେରିବ ! ଫେରିବ !

ଫେରିବ ତୁରିତେ ତମେ

କେତେ ତ କହିଚ ସେ କେଉଁ ଜନମେ

ସେ କେଉଁ କୁଟୀର କଣେ;

 

ଅଧରର ଭାଷା ଫୁଟି ସେ ଅଧର ତଳୁ

ସେ କୁଟୀର, କଣେ

ଯାଇନି ଯାଇନି ଯାଇନି

-ମିଳାଇ ତଳେ,

ଭେଦି ସେ ଉଠିଚି ଆକାଶେ ପବନେ,

ଚଞ୍ଚଳ ମତେ କରିଦିଏ ଏବେ ଅବା

ଏତେ ଜନମର ପରେ ।

 

ତୁମେ ସେଇ ଆଜି ଫୁଟିଚ ମୋ ଲାଗି

ରହିଚ, ମୋର ଲାଗି କାହିଁ

ତୁମେ ସେଇ ମୋରେ ଦେଖିଚ ଚାହିଁଚ

ହସିଚ, ହସୁଚ,

ଅଥଚ ଜୀବନେ

ମିଳନ ଶଙ୍ଖ ବାଜିଉଠିଲାନି ।

ବାଜିବ ! ବାଜିବ !

ଦିହେଁ ଦୁଇଆଡ଼େ

ରହି କି ପାରିବା

ଏତେ ମମତାର ବନ୍ଧନ କାଟିଦେଇ ?

 

ସାଗର ଊର୍ମି ପରି

ତୁମେ ମୋହ ଲାଗି, ମୁହିଁ ତୁମ ଲାଗି

ଚଞ୍ଚଳ ହୋଇ ଉଠେ

କିବା ଦିନ ରାତି, ସଂଧ୍ୟା, ସକାଳ,

କେତେ ନବ ନବ

ମଧୁ ଆକାଙ୍‌କ୍ଷା, ମଧୁ କଳ୍ପନା ଧରି

ଜୀବନର ଏତେ ସାଧନା ଧିଆନ

କେବେ କି ଉଭାଇ ଯିବ ?

କେବେ କି ଉଭାଇ ପାରେ ?

ଆଜି ବା ହୁଏତ କାଲି ବା ହୁଏତ

ଅବା ବହୁଦିନ ଧରି,

ମୁଁ ଗୋ ଚାଲିପାରେ ଏଇପରି !

କିନ୍ତୁ ଦିନେ ଗୋ

ଯୁଗଯୁଗାନ୍ତ ପରେ

ଏ ମାଟି ଉପରେ

ତୁମେ ମୁହିଁ ସଖୀ

ପରସ୍ପରରେ ଢଳି

ଦିନ କାଟି ନବା

ଆକାଶ ପୃଥିବୀ ପରି

ପରମ ସୋହାଗ ଭରେ ।

 

ମୁଁ ଗୋ ସେ’ଦିନର ଲାଗି

ଅପେକ୍ଷା କରି

ରହିଚି, ପାରିବି ରହି,

ମୁଁ ଗୋ ସେ’ଦିନର ଲାଗି

ଯେତେ ଯା ଦୁଃଖ

ଯେତେ ଯା ଯାତନା

ପାରୁଚି, ପାରିବି ସହି !

ମୁଁ ଗୋ ସେ’ଦିନର ଲାଗି

ବିଜନ ବନ୍ଦୀ ପରି

ଜୀବନର କେତେ

ଆଶା ଓ ଆବେଗ

ଏଇ ବୁକୁତଳେ ଧରି

ରହିଥିବି, ରହିଥିବି,

ସେ’ଦିନ ଆସିଲେ

ମୋରେ କେ’ ପାରିବ ରଖି ?

ଯିବି ଯିବି ମୁହିଁ

ତୁମ ସହ ମିଳିଯିବି ।

 

ସେ’ଦିନ ହସିବି

ଯେଉଁ ଅମୃତ ହସ

ସେ’ଦିନ ପାଇବି

ଯେଉଁ ଅମୃତ ରସ

ସେ’ଦିନ ପାଇବି

ଯେଉଁ ମଧୁ ଆଶ୍ଳେଷ

ସେ’ଦିନ ଶୁଣିବି ଯେ ମୋହନ ବାଣୀ

ସେ’ଦିନ ଦେଖିବି ଯେଉଁ ମଧୁ ପରିବେଶ

ସେ’ଦିନ ଦେଖିବି

ଯେଉଁ ଉଷ୍ମ ଲୋତକ

ଝରି ଝରି ଆସେ

ପ୍ରତି ବିନ୍ଦୁରେ ଗୋଳି ହୋଇ

କିବା ଅମୃତ ଉଦ୍ଦେଶ

ସେ ସବୁ ଭିତରେ

ଆପଣାରେ ଅବଗାହି

ନୂତନ ଜନ୍ମ, ନୂତନ ଜୀବନ, ନୂତନ ସ୍ୱପ୍ନ

ପାରିବି ପାରିବି ପାଇ ।

 

ହେ ମୋର ନଡ଼ିଆଗଛ !

ହେ ମୋର ନଡ଼ିଆଗଛ !

ଜାଣିତ ନଥିଲି କେଉଁଠି କିଭଳି ବନ୍ଦୀ ପରାଏ ରହି,

ମତେ ତମେ ନିତି ଅପେକ୍ଷା କରିଅଛ !

ଦିନ ରାତି ତୁମେ ଦେଖୁଅଛ ମୋରେ

ଏ ପାଖେ ଆସିବା ଯିବା,

ଡାକୁଥିବ ମୋରେ ଖୋଜୁଥିବ ମୋରେ

ଆକୁଳ ନୟନେ ଚାହିଁ, ମୁଁ କିଆଁ ଜାଣିବି ଅବା ?

 

ଦିନେ ମୁଁ ଦେଖିଲି, ପଚାରି ବୁଝିଲି

ମୋ ବାଡ଼ି ବଗିଚା ବାଡ଼ର ସେ ଧାରେ, ଧାରେ

ତୁମେ ଥିଲ ଦିନେ ଆଜି ରହିନାହଁ

କେଉଁ ସଇତାନ ହାତରେ ରହିଚ ନିର୍ମମ ଅଧିକାରେ;

ଦେଖିଲି ତୁମରି ରୁକ୍ଷ ମଳିନ ଅରକ୍ଷ ବେଶ

ରହିଅଛ ତୁମେ ପ୍ରାଣହୀନ ପରି ଜୀଇ,

ଶୋଣିତ ଦେଇ ଯେ ଜନ୍ମ ଦେଇଚି

ଥିଲେ ସିନା ତାହା ପାଖେ

ଦୁଃଖ ତୁମର ବେଦନା ତୁମର ବୁଝନ୍ତା ସିଏ

ହସିଖେଳି ତୁମେ ରହିଥାଆନ୍ତ

ଯାହା ଲୋଡ଼ା ସବୁ ଅଯୋଚିତ ରୂପେ ପାଇ !

 

ଦେଖିଲି ଗୋଟିଏ ନଡ଼ିଆ ପଇଡ଼,

ଗୋଟମା କଷିବି ନାଇଁ,

ସବୁ ଦୁହିଁଦାହିଁ କେ ନେଇ ଯାଇଚି କାହିଁ;

ଯେଭଳି ଗୋଟିଏ ଆଣ୍ଠୁକୁଡ଼ା ବା

ଏକାକୀ ଜୀବନେ ହାହାକାର କରୁଥାଏ

ମହାଶୂନ୍ୟକୁ ଚାହିଁ,

ସେଇ ଭଳି ତୁମେ ନିଶାଖା ପରାଏ

ପଡ଼ିରହିଅଛ

ସୃଷ୍ଟିର ମଧୁ ଟିକିଏ ପାରୁନୁ ପାଇ,

ହେ ମୋର ନଡ଼ିଆଗଛ !

ଜାଣିତ ନଥିଲି, କେଉଁଠି କିଭଳି

ବନ୍ଦୀ ପରାଏ ରହି

ମତେ ତମେ ନିତି

ଅପେକ୍ଷା କରିଅଛ !

 

ହେ ମୋର ନଡ଼ିଆଗଛ !

ଚମକି ଉଠିଲା ରକ୍ତ ମୋହର

ଶିରା ଉପଶିରା ଧରି,

ଆଜି ଆଜି ଆଜି ଏଇ ମୁହୂର୍ତ୍ତେ

ତୁମରେ ଆଣିବି

ନିଶ୍ଚେ ମୁଁ ମୁକୁଳାଇ

ପ୍ରତିଜ୍ଞା କଲି, ନ ବିଚାରି ଆଗପଛ !

କିଏ ସେ ଆସିବ ଖୁନ୍ କରିବାକୁ କରିଯାଉ ମତେ ଖୁନ୍‌,

ଆସୁ କେ ଆସିବ ଗାଳି ଗୁଲ୍ଲଜ ଦେଇ ଲଗାଇବ ଧୁମ୍‌।

ଆସୁକେ ଆସିବ ଦଳ ବଳ ଧରି ଲଢ଼ିବାକୁ ମୋର ସହ,

ମୁଣ୍ଡ ପାତି ମୁଁ ଥମିଯିବି ନାଇଁ

ଛଡ଼ାଇ ଆଣିବି ସେ ମାଟି ଟିକକ

ଯହିଁ ଲଗାଇଚନ୍ତି ଗଛ ଓ ପତ୍ର

ମୋର ପିତୃ ଓ ପିତାମହ !

 

ଉଦାସୀନ ରହି ଭୀରୁତାର ମୁହଁ ଦେବିନାଇଁ ପରିଚୟ !

ନିଜ ଘର ମାଟି ଦେଶ ସମ୍ପଦ ସଇତାନ ହାତେ ଦେଇ

ଧରାରେ ଚାଲିବା କି ବିରାଟ ପରାଜୟ ! !

ଗୋଟେ ଅନାଚାରୀ ପାଦତଳେ ମୁହଁ

ଫିଙ୍ଗି ତୁମରେ

ଚାହୁଁଥିବି ଯେବେ ପଡ଼ିଅଛ ତୁମେ ହୋଇ କ୍ଷତ ବିକ୍ଷତ,

ଜଣେ କ୍ରୀତଦାସ ବଡ଼

ମଣିଷ ନୁହେ ମୁଁ ସୃଷ୍ଟି ଉପରେ ବଞ୍ଚି ରହିବା ଲାଗି

ମିଥ୍ୟା ନୁହେଁ ଏ ସତ,

ହେ ମୋର ନଡ଼ିଆ ଗଛ !

 

ହେ ମୋର ନଡ଼ିଆ ଗଛ,

ତୁମକୁ ଯେ’ ଦିନ ଅଧିକାର କରି

ତୋଳିଲି ନଡ଼ିଆ, ତୋଳିଲି ପଇଡ଼

ସେ ଯଦୁ ମିଶ୍ର, କି ଅବା ହିଂସ୍ର

ଜାନୁଆର ପରି ଝପଟି ଆସିଲା

କାମୁଡ଼ି ବିଦାରି ମତେ ଅବା ତହିଁ

କରିଦେବ ଧୂଳିସାତ୍‌।

ବୁଲାଇ ବୁଲାଇ ରକ୍ତିମ ଆଖି ଡୋଳା

ଚାହିଁଲା ଚାହିଁଲା ମୋତେ

ହିଂସାର ନିଆଁ-ହୁଳ ବା ଦୁଇଟା

ଜଳୁଚି ଯେଭଳି ସତେ ।

ତା’ ଦେହ ମନର ପ୍ରତି ରନ୍ଧ୍ର ବା

କହୁଥିଲା ମୋରେ କଥା

ନଡ଼ିଆ ଗଛଟା ଉପାଡ଼ି ତହିଁରେ

ପିଟି ଦେବି ତୋର ଛତୁ ହୋଇଯିବ ମଥା ।

ଏଇ ମୋର ଗଛ ତୁମକୁ କିଏ ସେ

କହିଲା ଛୁଇଁବା ପାଇଁ,

ଦେଖିବି କେମିତି ନବ ଏଇ ଗଛ

ଆଜିଠାରୁ ତୁମେ

ଏପାଖ ମାଡ଼ିବି ନାଇଁ । ’’

 

ମୁଁ କହିଲି ତାରେ

‘‘ଫେରିଯାଅ ତମେ ହେ ଯଦୁ ମିଶ୍ର ଆସନା ଏଠିକି ଆଉ

କଥା କହ ନାଇଁ ଆଉ ବେଶି ବେଶି ହଲାଇ ତୁମରି ବାହୁ;

ମୁହଁ ଆଉ ମୋର ବଂଶର ଯେତେ ପିତୃ ଓ ପିତାମହ

କାର ଗଛ ମାଛ ନେଇନୁ ବଳାତ୍କାରେ

ପଥ ଭିକ୍ଷୁକ କରିନୁ ବଳାତ୍କାରେ

ପଥ ଭିକ୍ଷୁକ କରିନୁ କାହାରେ

ଲୁଟି ନେଇ କାର ଜମି ବାଡ଼ି ଘରଡିହ !

 

ମୁହଁ ଆଉ ମୋର ବଂଶର ଯେତେ ଛନ୍ତି ପୁରୁଷ ନାରୀ,

ରକ୍ତେ ଆମର ଲେଖାନାଇଁ ଲେଖାନାଇଁ

କେଉଁଠି କିଭଳି ସବୁ କରି ଚୋରିଚାରି

ଧନ ସମ୍ପଦ ମାରି ଆଣି ହେବୁ ସାଧବ ଲକ୍ଷପତି

କାର ଦି’ପଇସା ଧାରିନାହୁଁ ଆମେ

ଠେଲି ଦେଇ ନାହୁଁ କାହାକୁ ସେ କେଉଁ ଗାତେ

କା’ ଆଖି ଲୁହରେ ଗଢ଼ିନୁ ସୌଧ

ବାଟି ବାଟି ଜମି କରିନାହୁଁ ଏଇ ହାତେ

ମୋର ବାପ ଅଜା ରୋପିତ ଏ ଗଛ

ମୂଳ ଯାଇଅଛି ମୋହରି ମାଟିରେ ପୁରା

ତାକୁ ନେଇ ତୁମେ ଚୋର ଡକାଏତ ପରି,

କଥା କହିଲାରୁ

ଦେଖାଉଛ ମୋତେ ଛୁରା !

 

ମୋର ବାପ ଅଜା ଶୋଣିତ ଯେବେ ଏ

ତରୁ ପତ୍ରର ପ୍ରତିରେଣୁ ତଳେ ଥାଏ,

ମୋର ବାପ ଅଜା ପରଶ ଯେବେ ଏ

ଆକାଶ ସ୍ପର୍ଶୀ ଗଛଟି ସେ’ ଦିନୁ ବହେ,

ମୋର ଏଇ ମାଟି ଉପରେ ଯେବେ ‘ସେ

ସେ’ଦିନୁ ହୋଇଚି ଛିଡ଼ା,

ହାତେ ମୁଠୁଣିଏ ଚାଖଣ୍ଡେ ଯେବେ

ଭେଦିନି ତା’ ଚେର ତୁମ ମାଟି ଗୋଡ଼ିଶିଳା,

ବରଷ ବରଷ ଧରି ସିଏ ଯେବେ

ଆମକୁ ଦେଇଚି ଫଳ

ସୁଖ-ଦୁଃଖର ଗୁରୁ ବିପଦର ହୋଇଅଛି ସହଚର

 

ତା’ ଆମ ଭିତରେ ବଂଧନ ଯେବେ

ରହିଚି ନିବିଡ଼ତମ

ଆମରି ମାଟିରେ ସେ କେଉଁ ଅନାଦି କାଳୁ

ଆମ ପାଇଁ ଯେବେ

ଫୁଟିଚି ଗୋଟାଏ ମୁଗ୍‌ଧ ସପନ ସମ

କେନେଇ ପାରିବ ତାରେ ?

 

ସବୁ ଝଡ଼ ସବୁ ଝଞ୍ଜା ଭେଦି ସେ

ପଡ଼ିବ ସେଇଠି ଢଳି,

ଜୀବନର ଡାକ ଯେଉଁଠି ତାହାରେ

ଉନ୍ନନ କରେ ଚଞ୍ଚଳ କରେ

ମୁଗ୍‌ଧ ପାଗଳ କରେ ।

 

ଫେରିଯାଅ ତମେ ହେ ଯଦୁ ମିଶ୍ର ଫେରିଯାଅ ‘ଫେରିଯାଅ !

ମୋର ଏଇ ଗଛ ମୋର ଏଇ ମାଟି କହିକି ପାରିବ ?

ରସନା ତୁମର ଖନି ମାରିଯିବ

ପଇଟିବ ନାଇଁ ଗୋଟେ ଅକ୍ଷର ପ୍ରାୟ !

ସେ ମହାଦମ୍ଭ ନାଇଁଛି ତୁମର

ଭଲ କରି ତୁମେ ନିଜକୁ ଟିକିଏ ଦେଖ,

ଏଡେ କି ସହଜ ଧୂଳି ଦେଇ ଆନ ଆଖେ

ଧରାରେ ଚାଲିବା ଊର୍ଦ୍ଧ୍ୱକୁ ଟେକି ବେକ ?

ହେ ମୋର ନଡ଼ିଆ ଗଛ !

ସେ ଯଦୁ ମିଶ୍ର, ଗୋଟାଏ ହିଂସ୍ର

ଜାନୁଆର ପରି ଝପଟି ଆସିଲା

ସେଇଦିନ ଦେଖିଅଛ ।

ହେ ମୋର ନଡ଼ିଆ ଗଛ !

ତୁମରେ ଯେ’ଦିନ ସଂଗ୍ରାମ କରି

ଆଣିଲି ମୁଁ ମୁକୁଳାଇ,

ହସିଲା ଆକାଶ, ନ ଚିଲା ଧରଣୀ

ମୋର ଉର୍ଦ୍ଧ୍ୱେ, ନିମ୍ନେ

ଅବା ମୋର ଆଗପଛ ।

 

ଅହିରାଜ ସାପ ପାଟିରୁ ନିରୀହ ଛେଳିପିଲାଟାକୁ

ଭିଡ଼ି ଆଣିବାର ପରି

ଆଣିଲି ତୁମକୁ

କେତେ ସାହସ ଓ ବଳ ବିକ୍ରମ ଧରି !

କିଏ ସେ କହିଲା, ଆଚ୍ଛା କରିଚ, ଠିକ୍‌ କରିଚ,

ତୁମରି ଗଛଟା ସେ କିଆଁ ବସିବ ମାଡ଼ି ?

ଆନ କେ କହିଲା-

ମଉନ ରହିଲେ, ନୀରବ ରହିଲେ,

ଏ ଲୋକଗୁଡ଼ାକ

ସବୁ ନେଇଯିବେ, ସବୁ ଖାଇଯିବେ;

ପଙ୍ଗପାଳର ଏମାନେ ବଂଶଧର,

ଏ ସାରା ଗାଆଁରେ

ରହିଅଛନ୍ତି ମହା ଅଭିଶାପ ପରି ।

ସେ ଯଦୁ ମିଶ୍ର ଲାଂଗୁଡ଼ ଜାକି ଚାଲିଗଲା

-ଆଉ କହି ପାରିଲାନି କଥା

ମୁହଁରୁ ତାହାର ପାଣି ମରିଗଲା ।

ଲଇଁ ଗଲା ତାର ରାକ୍ଷସ ପରି,

ମେରୁ ମର୍ଦ୍ଦନ ମଥା !

 

ସାତଦିନ ଯାଏ ଘରୁ ସେ ବାହାରି ନାଇଁ !

ଭୁଲ୍‌ ଉପରେ ଭୁଲ ଯେ କରେ, ଆହୁରି ଯେ କରେ ଭୁଲ,

ଭୁଲ୍‌ରେ କେହି ଆସିବେନି

ତାର ସାହାସାଥି ହେବାପାଇଁ ।

 

ହେ ମୋର ନଡ଼ିଆ ଗଛ !

ସେଇ ଦିନୁ ତମେ

ମୋ ବାଡ଼ି ଭିତରେ

ମୋର ହୋଇ ରହିଅଛ !

ହସୁଅଛ ତୁମେ, ହସୁଅଛି ମୁହିଁ,

ହସୁଚି ମୋର ଏ ମାଟି,

ସେ କେତେ ଯୁଗର ମଧୁବଂଧନ

କେ’ନେଇ ପାରିବ କାଟି ?

 

ସଇତାନ ହାତେ ସତ୍ୟଟା ଯେବେ

ଏକବାର ଯିବ ମରି,

ଏ ମହାଆକାଶ, ଏ ମହାପୃଥିବୀ

ଇମିତି ରହିବ ନାଇଁ

ରହିଲେ ରହିବ

ଗୋଟାଏ ବିରାଟ ପାଉଁଶ ପାହାଡ଼ ପରି !

 

ମୋ ହାତର ଚିଠି

ଯାଆ ଯାଆ ଚିଠି ଯାଆରେ ତୁରିତେ ଭେଦି ବନ ବିଲ ଭୁଇଁ

କହିବୁ ସେ କାନେ କେତେ ମନଦୁଖେ ରହିଚି ଜୀବନେ ମୁହିଁ,

ବରଷ ଉପରେ ବରଷ ବିତିଚି ସାଗର ଲହରୀ ପରି

ପରାଣ ବେଦନା କେବେ ସେ ବୁଝିବ ଯାଇଚି ତ ହଁକରି ।

 

ଯାଆ ଯାଆ ଚିଠି ଯାଆରେ ତୁରିତେ କହିବୁ ସେ କାନେ କାନେ

କଥା ଦେଇ କଥା ନ ରଖି ପାରିବା କି ବାଧା ପରାଣେ ଆଣେ,

ସାରାଟି ଜୀବନ ରହିଚି ମୁଁ କିବା ପାରାବାର ବେଳାଭୁଇଁ

ଦିବା ନିଶିଥିନୀ ଦେଖୁଚି ସପନ କିଏ ଆସିଯିବ ଛୁଇଁ ।

 

ମରୁ ମରୀଚିକା ପରି ହୀନିମାନେ ରହିଚି ପରାଣ ଧରି

ମଧୁ ସମ୍ପଦ କିଏ ଭରିଦେବ ନିଜରୁ ନିଜର କରି,

ଯାଆ ଯାଆ ଚିଠି ଯାଆରେ ତୁରିତେ ଯାଇଚୁ ତୁ ବହୁବାର

ମୋ ଲାଗି ପରାଣେ କମ୍ପନ ଆସେ ଶୁଣି ମୋ ଦଇନି ଭାର ?

 

ନାଇଁଛି ମୋହର ଯାନ କି ବାହାନ ପଦ ପଦବୀ ତ ନାଇଁ

ନାଇଁଛି କ୍ଷମତା ରକ୍ତିମ ଆଖେ କାହାରେ ପାରିବି ଚାହିଁ,

ଶିଶୁଟିଏ ପରି ଖେଳେ ବୁଲେ ଚାଲେ ଗୀତ ଗାଇ ଅବିରଳ

ଜାଣିନି ଜନମୁ ନଅ ଛଅ କରି ପାଲଟିବା ଟାଉଟର ।

 

ସରଳ ଜୀବନେ ଚାଲି ମୁଁ ଆସିଚି ସାରାଟା ଜୀବନ ଧରି

ମୋରେ ସେ ଦେଖୁଚି ଭିତରେ ଭିତରେ ସାତ ହୀନିମାନ କରି,

ଯାଆ ଯାଆ ଚିଠି ଯାଆରେ ତୁରିତେ ଏଇ ଶେଷ ଥର ପାଇଁ

ଆଉ ତୁ ଯିବୁନି ମୋ ମରମ ବ୍ୟଥା ତୋ ଟିକି ପରାଣେ ବହି ।

 

ଜୀବନର ଯେତେ ମୋହନ ସପନ ଫୁଟି ଯାଉ ପଛେ ଝଡ଼ି

ଭୁତଳ ଶୟନେ ନିମିଷୁ ନିମିଷେ ପାଲଟି ମାଟି ବା ଗୋଡ଼ି,

ଦିଗ୍‌ବିଦିଗେ ମୋ ଟିକି ପତକାଟି ଆକାଶ ନୀଳିମା ଚିରି

ନ ଉଡ଼ୁ ପଛକେ, ନ ଦେଉ ପଛକେ ମାନ ସନମାନ ଶିରୀ ।

 

ଯେତେ ଆଶା ଯେତେ ବାସନା ପରାଣେ ସବୁରି ସମାଧି ହେଉ

ଯେତିକି ପାରିଚି ସେଇ ଟିକ ମୋତେ ଯେ ମଧୁ ଦେବାର ଦେଉ,

ଯାଆ ଯାଆ ଚିଠି ଯିବାକୁ ତୁରିତେ ଏତେ କିପାଇଁ ଡେରି ?

କହିବାକୁ ମୋର ପରାଣ ବାରତା ଡାକ ଘରୁ ଆସୁ ଫେରି ।

 

ତୋରେ ଟିକେ ଚାହିଁ ଦିଏ କେ ଫୋପାଡ଼ି ସେ କେଉଁ ଅଳିଆ ତଳେ

ଆଦର ସେନେହେ ଚାହେଁ ନାଇଁ ତୋରେ ଆପଣାର କରି ଥରେ,

ଏତେ ଅପମାନ ଲାଞ୍ଛନା ସହି ତଥାପି ଯାଉଚୁ ଚାଲି

ଅନୁଗ୍ରହର ବିନ୍ଦୁଏ ହେଲେ କିଏ ଅବା ଦେବ ଢାଳି ।

 

ଯାଆ ଯାଆ ଚିଠି ଯାଆରେ ତୁରିତେ ଆଜି ଶେଷ ଥର ପାଇଁ

ହତଭାଗା ଯିଏ ଆପଣାର କରି ତା’ରେ କେ ପଚାରେ କାହିଁ ?

ହୃଦୟର ସେଇ ମଧୁ ବଇଭବ ନ ଆସେ ଯେଉଁଠି ଝରି

ଥରକୁ ଦି’ଥର ଯିବା ସେ ଦୁଆରେ ଲାଗେ ମରିଗଲା ପରି ।

 

ନିଠୁରୁ ନିଠୁର ହୋଇ ସିଏ ଯେବେ ଚରଣେ ଆଡ଼େଇ ଦିଏ

ଫେରି ତୁ ଆସିବୁ ମୋ ହାତର ଚିଠି ମୋ ଓଠ ବଚନଟିଏ,

ଏତେ ନିର୍ଲଜ ହୋଇ ସେ ଦୁଆର ଯିବାଠୁ ନ ଯିବା ଭଲ

ନିଜ ଦୁଖେ ଥିଲେ ନିଜର କୁଟୀରେ ସରଗ ତହୁଁ କି ବଡ଼ ?

 

ଲାଞ୍ଚ ମିଛ ଓ ଜାଲ ଜୁଆଚୋରୀ ଭିତରେ ବଢ଼ିଚି ଯିଏ

ଦିନ ରାତି ସଦା ସର୍ବଦା ଯିଏ ପରର ରକତ ପିଏ,

ଫିସାଦ ଭିତରେ ଆସ୍ୱାଦ ପାଏ ଯାହାର ମରମ ତଳ

ଫେରିଆ ଫେରିଆ ଛୁଅଁ ନା ସେ ମାଟି ନରକର ଗହ୍ୱର ।

 

ଚକ୍‌ଚକ୍‌ଚକ୍‌ ଦିଶିବେ ଉପରେ ସତେ ବା ଦେବତାଟିଏ

କିଣିନେବେ ସେହୁ କଥାରେ କଥାରେ ସତେ ବା ତୁମରି ସିଏ,

ସେ ନୁହେ ତୁମର, ସେ ନୁହେ ଆମର, ସେ ନୁହ କାହାର ମୋଟେ,

ସାରା ଦୁନିଆକୁ ଗିଳିଦବା ପାଇଁ ଅଜଗର ସାପ ଗୋଟେ ।

 

ଫେରିଆ ଫେରିଆ ମୋ ହାତର ଚିଠି ମୋ ଓଠ ବଚନଟିଏ,

ମହା ବେଦନାର ଲୁହ ନିଶ୍ୱାସ ପରାଣେ ଯାହାର କମ୍ପନ ନାଇଁ ଆଣେ

ମଧୁ ସମ୍ପଦ ଦେଇ କି ପାରିବ ସିଏ ?

 

ମୋ ଜୀବନ ଶେଷ ପରେ

ଏ ମରୁ ପ୍ରାନ୍ତର ପରି ଆଜି ମୁଁ ରହିଚି ପଡ଼ି

ସେ ଶ୍ୟାମ ଲାବଣ୍ୟ ସବୁତ ଯାଇଚି ଝଡ଼ି,

ମୋରେ କିଏ ନାଇଁ ଖୋଜେ ଗୋଟାଏ ନିମେଷ ଲାଗି

ଦୁର୍ଭାଗା ଜୀବନେ ମୋର କି ଶିରୀ ଉଠିବ ଜାଗି ?

 

ଯା’ ଦେବାର ଦେଇଚି ମୁଁ, ଆଜି ସିନା ହୀନିମାନେ

ରହିଚି ଏ ଧରିତ୍ରୀର କେଉଁ ଅପନ୍ତରା ଥାନେ,

ଅଭାବ ଓ ଅଶ୍ରୁ ଘେନି ପଡ଼ିଚି ଏକାଟି ହୋଇ

ନିଭିଯିବି ସବୁ ନେତ୍ର ଆଢ଼ୁଆଳେ ଶୋଇ ରହି ।

 

ହେଲେ ମଧ୍ୟ ପଥେ ଘାଟେ କିଏ ଯାତ୍ରୀ ଦଳେ ଦଳେ

ମୋ ସ୍ମୃତି ଟିକକ ମନେପକାଇବେ ଥରେ ଥରେ,

ଶିହରି ଉଠିବି ମୁହିଁ, ଥାଏ କୁ’ ଅଜଣା କଣେ

ମୋ ଜୀବନ ଶେଷ ପରେ ନିଃଶେଷ ହେବିନି କ୍ଷଣେ ।

 

ଅପରାଧା

କ୍ଷତି ସେ କରିନି ମୋର

ଆସିଥିଲା ଏଥି ଆଶ୍ରାନବାର ପାଇଁ,

ତା’ପରେ କାହିଁକି ହେଲି ନିଷ୍ଠୁରତର

ଚାଲିଗଲା ସିଏ ଆଉ ଏଠି ଫେରିନାଇଁ ।

ମହା ଜଗତର ଅସୀମ ଅନ୍ତରାଳେ

ମିଶିଗଲା ସିଏ ଟିକିଏ ତୃପ୍ତି ହାୟ !

ଦେଇପାରିଲିନି, ଅତୃପ୍ତ ହୋଇ ସିଏ,

ଚାଲିଗଲା ସେ ଯେ

ନିତାନ୍ତ ଅସହାୟ !

 

ଚାଲିଗଲାବେଳେ ପଛକୁ ଚାହିଁନି ଫେରି

କାହିଁକି ଚାହିଁବ ! ଲାଗିଥିବ ହୀନିମାନ,

ଗଭୀର ଦୁଃଖ ଦଇନେ କେ’ ରହିପାରେ

ରହିପାରିବନି ସହି ମୁହୂର୍ତ୍ତେ କିଏ

ବାଜିଗଲେ ଅପମାନର ତୀବ୍ର-ବାଣ !

 

ଚାହିଁଚି ମୋହର ସମ୍ମୁଖେ ଗଲା ଚାଲି

ଉଁ ଚୁ ହେଲେ ପଦିଏ କହିନି କଥା,

ଅଧିକାର ତାର ନାଇଁ ଥିଲେ ମୋହପରେ

ଆସିଥାନ୍ତା କି ଶମିବାକୁ ତା’ର ବ୍ୟଥା ?

 

ଫେରାଇ ଦେଲି ମୁଁ ଆଗନ୍ତୁକ ସେ ଜଣେ,

ତାରେ ମୁଁ ହୁଏତ, ଦେଖିନାଇଁ ପାରେ ଥରେ

ଚାଲିଗଲା ଧୀର ପଦ ବିକ୍ଷେପେ ସିଏ

ଅତୃପ୍ତିର ନିଃଶ୍ୱାସଟିଏ

ପକାଇ ଧରଣୀ ପରେ ।

 

ଯେତେ ଖୋଜିହେଲେ

ଯେତେ ଲୋଡ଼ିହେଲେ ତାରେ;

ସେଇ ଅସହାୟ ବୁକୁ ତଳେ

ଯେଉଁ ବାଧା ଟିକ ଥିବ

ସେଇ ମୁହୂର୍ତ୍ତେ ଛୁଇଁ

 

କେବେ ନିଭାଇ ପାରିବି ମୁହିଁ ?

କେଉଁଠି ସେ ଥିବ ? କିଭଳି ସେ ଥିବ ରହି ?

ଚାଲିଗଲା ପଛେ ପଛକୁ ଚାହିଁନି ଫେରି

କରିନାଇଁ ଆଉ ଅନୁରୋଧ ଲବେ

ଠିଆ ହୋଇ ମୋରେ

ଅଳପ ମଉନେ ଚାହିଁ,

ଟିକିଏ ଫେରାଇ ଆଣି ପାରିଲିତ ନାଇଁ !

 

ଚତୁର୍ଦ୍ଦିଗେ ମୁଁ ଖୋଜି ହେଉଅଛି ତାରେ

ଟିକିଏ ଆଉଁସି

ଟିକିଏ ରହିଚି ଚାହିଁ-

ଲୁହ ଛଳ ଛଳ ନୟନେ କହିବି

ପଦିଏ ମାତ୍ର କଥା-

ଭୁଲି କରିଚି, ଭୁଲ୍‌ କରିଚି ମୁହିଁ,

ଦୂରେ ଦୂରେ ତୋରେ

ନିଠୁରେ ଫେରାଇ ଦେଇ ।

କି ଜୀବନ ଇଏ ମୋର !

ଜାଣିପାରିଲିନି ଯେବେ ମୁଁ କାହାର

ହୃଦୟ ତଳର ଜାଳା ଯନ୍ତ୍ରଣା ବଥା !

 

ଅପରାଧୀ ମୁହିଁ ଅପରାଧୀ ! ଅପରାଧୀ ! !

ମହା ଧରଣୀର ମହାବନ୍ଧନ ଚାଲିଲି ମୁଁ ଦଳି କୁଦି,

କେଉଁଠି ଥିବ ସେ ମହା ଧରଣୀର

କେଉଁ ଆଡ଼େ, କେଉଁ ଆଡ଼େ

ବିଯୁକ୍ତ ହୋଇ ରହିଲି ତାହାଠୁ

ମୋହ ତହୁଁ ବଳି

ହତଭାଗା କିଏ ସୃଷ୍ଟିର ଏଇ ପାରେ ! *

 

* କବି ଖଲିକୋଟରେ ଅବସ୍ଥାନ କରୁଥିଲେ ଗୋଟାଏ ବସାଘରେ । ଦିନେ ଭାରି ବର୍ଷା ହେଉଥିଲା । ଗୋଟିଏ ବଳଦ କବିଙ୍କ ବସାଘର ବାରଣ୍ଡାରେ ଆଶ୍ରୟ ନେବାକୁ ଆସିଲା । ବସାର ପାହାଚ ଉପରେ ପାଦଦେବାବେଳେ କବି ତାକୁ ପାଟିକରି ଓଡ଼ାଇ ଦେବାରୁ ବଳଦଟି ଚାଲିଗଲା । କାହିଁକି ତଡ଼ିଦେଲି ବୋଲି କବିଙ୍କ ମନରେ କ୍ଷୋଭ ଆସିଚି-ଏ ଘଟଣା ଉପରେ କବିତାଟି ଲେଖାଯାଇଚି ।

 

 

 

ଦେଖିବି

ଲଂଘି ସୁଦୂର ପଥ ଆସିଲାଣି ଚାଲିତ

ତା’ ମୋହନ ରୂପ ଛଇ

ଦିଶିଯିବ ଏଇ ଆଜି କାଲିତ !

କାନେ କାନେ କିଏ ଗଲା କହି ଯେ

 

ସେ ଦିନୁ ତାହାରେ ଚାହିଁ

ପଲକ ମୋ ପଡ଼େ ନାଇଁ

ତନ୍ମୟ ହୋଇ ମୁହିଁ ରହିଅଛି ଖାଲିତ

ଲଂଘି ସୁଦୂର ପଥ ଆସିଲାଣି ଚାଲିତ ।

 

ଭୁଲିଗଲି ଖାଇବା ମୁଁ ଭୁଲିଗଲି ପିଇବା

ଭୁଲିଗଲି ରାତିସାରା ଶୋଇବା,

ଆପଣାକୁ ଆପେ ମୁହିଁ

ଭୁଲିଗଲି ସତରେ

ଏ ଧରଣୀ ପଥରେ

 

ଦିନ ଗଲା ରାତି ଗଲା

ସନ୍ଧ୍ୟା ସକାଳ ଗଲା

ସୁଦୂର ପାହାଡ଼ ତଳେ ମିଳାଇ

ଚଞ୍ଚଳ ଉନ୍ନନ ଦେହ ମନ ମୋହରି

 

କାହାରେ ଦେଖିବ ଟିକେ

କେବଳ ଦେଖିବ ଟିକେ

କେତେ କଳ୍ପନା ନିଏ ବୁକୁ ତଳେ ଖେଳାଇ

ଦିନ ଗଲା, ରାତି ଗଲା

ସୁଦୂର ପାହାଡ଼ ତଳେ ମିଳାଇ ।

 

କିଏ ପୁଣି ସୁଦୂର ଅୟନୁ ମୋରେ କହିଲା

ଏବେ ନୁହେଁ, ଏବେ ନୁହେଁ,

କେବେ ସିଏ ଆସିପାରେ

ତା’ର କିଛି ଥୟ ନାଇଁ

ରକ୍ତ-ପ୍ରବାହ ମୋର ଦପ୍‌କିନା

 

ତାଳୁରୁ ତଳିପାଯାଏଁ ବହିଲା

ଆଖିରୁ ଖସିଲା ଲୁହ

କଳା ପଡ଼ିଗଲା ମୁହଁ

ହୁଏତ ନ ଦେଖିପାରେ

ହୁଏତ ନ ଆସିପାରେ

ଏ କୁଟୀର ପଥଧାରେ

କେତେ ଦୂରେ କେଉଁ ଦୂରେ, ଅଟକି ସେ ରହିଲା

କିଏ ପୁଣି ସୁଦୂର ଅୟନୁ ମୋରେ କହିଲା ।

 

କାହାପାଇଁ କିଏ କେତେ ଆସିଲେ

ମୋ ପାଇଁ ଯେ’ ଆସିବାର

ଆସିନି ଆସିନି

ଆଉ ଆସିବ ସେ ନାଇଁକି ?

ବେଳତ ଗଲାଣି ମାଡ଼ି

ଅନ୍ଧାର ଯିବ ମାଡ଼ି

ଦିଗନ୍ତ ତଳେ ତଳେ

ଏ ଆଖି ଦୁଇଟି ଢାଳି

ବସି ରହିବି ମୁଁ କାହିଁକି ?

ମୋ ପାଇଁ ଯେ ଆସିବାର

ଆସିନି ଆସିନି

ଆଉ ଆସିବ ସେ ନାଇଁକି ?

 

ଭାଷା ଦେଇ ଆଶା ଦେଇ

କିଭଳି ରହିଲା କେଉଁ ରାଇଜେ

ଆସି ଆସି ଆସିଲାନି

ବନ୍ଦୀ ପରାଏ କିଏ

ରଖିଲା ବା କାହିଁ ଯେ

ତାର ଶିରୀ ବଇଭବ

ମୋ ପରାଣ-ଗଉରବ

ଟିକିଏ ତ ଦେଖିଲିନି

ଟିକିଏ ତ ଚାହିଁଲିନି

ତା’ ଲାଗି ଆକୁଳ ହିଆ

ବିଦ୍ରୋହ କରିଉଠେ

ଗଗନ ପବନେ ଚାହିଁ ଚାହିଁ ଯେ

ଭାଷା ଦେଇ; ଆଶା ଦେଇ

କିଭଳି ରହିଲା କେଉଁ ରାଇଜେ !

 

ଏତେ ହୀନ, ଏତେ ହେୟ, ଏତେ ସେକି ତୁଚ୍ଛ ?

କା’ ଆଖିରେ ନୁହେଁ ସିଏ ଲବେହେଲେ ଉଚ୍ଚ ?

ରହିଚି କେଉଁଠି ପଡ଼ି

ରହିଥିବ ସେଇଭଳି

ଆସିଲେ ଆସିବ କେବେ

ନ ଆସିଲେ ନ ଆସିବ

ନିଭିଯିବ ପଛେ କାହିଁ

ଆସିବନି ଆସିବନି

 

କୋଟି ହୀନିମାନଭରେ

ଧରି କାହା ପୁଚ୍ଛ

ଏତେ ହୀନ ଏତେ ହେୟ

ଏତେ ସେ କି ତୁଚ୍ଛ ?

 

ଆସିଲେ ଆସିବ ସିଏ ଆସିବାର ପରି ଦିନେ

କାଟି ସବୁ ଶୃଙ୍ଖଳ

କମ୍ପାଇ ଚରାଚର

ଶଙ୍ଖ ବଜାଇ ଦିଗ୍‌ବିଦିଗେ

 

ଜନମ ଜନମ ମୋର ବିତିଯାଉ ପଛକେ

ଥାଉ ଏ ଆଖିରେ ଲୁହ

ଚାହିଁ ବସିଥିବି ମୁହିଁ

ଉତ୍ସୁକ ହୋଇ କିବା

ଅଧିକରୁ ଅଧିକେ

ଦେଖିବି ଦେଖିବି ତାରେ ଦିଗହୀନ ପାରାବାରେ

ଊର୍ମି ଗୋଟିଏ ସେତ

ନାଚି ନାଚି ଢଳି ଢଳି ଯାଏରେ

 

ସେ କେଉଁ ସୁଦୂର ବେଳା

ଚୁମି ଦିନ ରାତି ସାରା

କାନେ କାନେ ତାର କିବା ।

ମନ୍ତ୍ର ସେ ଗାଏରେ !

 

ଦେଖିବି ଦେଖିବି ମୁହିଁ କେବଳ ମୁହିଁ ଦେଖିବି

ଆକାଶ ଅବନୀ ଭରି

ଚଉଦିଗେ ଦେଖିବି

ତାହାରେ ମୁଁ ତାହାରେ

ବସି ଏଇ ଘାଟପାରି ନାଆରେ ।

 

ଯେଉଁଠି ତମେ

ସବୁଠୁ ଆଖି ମୋର ଆସିଲା ଫେରି,

ତୁମଠୁ ଆସିଲାନି ଫେରିତ,

ତୁମରି ଦେହ ମନ ହୃଦୟ ତଟେ

ରହିଲା କେବଳ ସେ ଘେରିତ !

 

ମାଗିଲା ନାଇଁ କିଛି ମାଗୁଣି ସତ

ପାଇଲା ଆପେ ଆପେ କିବା ସେ,

ଭାଳିଲା କି ମାଧୁରୀ ଧରାରେ ବଡ଼

ଥିଲେ ଗୋ ତୁମ ବୁକୁ ନିବାସେ ।

 

ପାଷାଣ ପରି ତୁମେ ରହିଲ ସିନା

ତଥାପି ମନର ସେ ଗହୀରେ,

ଟିକିଏ ଉଠିଥିବ ଚହଲି ତୁମେ

ଚାହିଁଲା ବେଳେ ମତେ ପହିଲେ ।

 

ତୁମରି ଦାନ ଯାହା କି ଦେବ ମତେ

ପାଏ ମୁଁ ଆପେ ଆପେ, ପାଏତ,

ଏ ମହା ସୃଷ୍ଟିରେ ଯେଉଁଠି ତମେ

ସେଠି ମୁଁ ଚିରଦିନ ଥାଏତ ।

 

କବର

ଆପଣାରୁ ବଳି କେତେ ଆପଣାର କରି ତୁମରି ଦୁଆରେ

ଡାକିନି ତୁମକୁ ସିଏ !

ତୁମେ କିନ୍ତୁ ଚିହ୍ନି ନ ଚିହ୍ନିଲା ପରି ରହିଲ ନିର୍ବାକ ।

ଥୋଇଲନି ପାଦ ତବ ମୁହୂର୍ତ୍ତକ ପାଇଁ ସେଇ ରାସ୍ତାଧାରେ,

ପାଦତଳେ ଦଳି ତାର କଥା

ଚାଲିଗଲ ଚାଲିଗଲ ତମେ ଦର୍ପଭରେ ତୋଳି ତୁମ ମଥା ।

 

ଫେରି ଟିକେ ଚାହିଁଲନି, ଶୁଣିଲନି,

ଗଛତଳେ ରାସ୍ତାଦାଢ଼େ ତଥାପି ତୁମରି ଲାଗି ହୋଇଚି ସେ ଠିଆ ।

ତୁମେ କିନ୍ତୁ ତା’ ଉପରେ

ଫିଙ୍ଗିଚ ଫିଙ୍ଗୁଚ ଛେପ, ଫିଙ୍ଗୁଚ ବି ଆବର୍ଜନା ଅସ୍କରା ଅଳିଆ ।

ଖାଲି ବି ସେତିକି ନୁହେଁ,

ଚରଣେ ନିର୍ମମେ ଦଳି ଦୂରେ ବହୁ ଦୂରେ ଦେଇଚ ଫୋପାଡ଼ି,

ତୁମରି ଆଖିରେ ଅବା ସେ ଗୋଟିଏ

ପ୍ରାଣହୀନ ନଗଣ୍ୟ ଅଗାଡ଼ି ।

କୃଷ୍ଣ ଯବନିକା ଟାଣି ତା’ ଭିତରେ ରହିଅଛ ତମେ ।

ଠିଆ ହୋଇ, ହୋଇ ସିଏ ଯାଏ ଡାକିଡାକି

ସତେ ବା ଲୁଚୁଚି ସିଏ, ବୁଲା କୁକୁରଟେ ତୁମରି ନୟନେ !

 

ତୁମେ ତାରେ କରିଅଛ ଉପହାସ

ଦେଇଅଛ ତୀବ୍ର ଅପମାନ,

ବେଳେ ବେଳେ ଦଳବାନ୍ଧି ଘେଉଡ଼ିଦେଇଚ ତାରେ

ସତେ ଯେପରି ସେ ତୁମରି ପରମ ଶତ୍ରୁ ମହା ସଏତାନ୍ !

ପଥ ପ୍ରାନ୍ତେ ତୁମେ ଯେତେ ନ ଶୁଣିଲେ ନ ଚାହିଁଲେ ତାରେ

ଯେତେ ବାଧା ଦେଲେ ମଧ୍ୟ ଖାତିରି ନ କରି କାରେ,

ତଥାପି ଡାକୁଚି ସିଏ ।

 

‘ଏଟା ଗୋଟେ ମୂର୍ଖ ଓ ଅନାଡ଼ି’

କହିତ ପ୍ରକାଶ୍ୟ ରାଜପଥ ପରେ

ଚାଲିଚ ତା’ ଉପରେ ଚକଟି ଓ ମାଡ଼ି ।

 

ଟିକିଏ କରିନ ଚିନ୍ତା,

ଚିନ୍ତା କରିବାକୁ ଅପଣାକୁ ଦେଇନାହଁ

ଲବେ ଅବସର

ଦିଗନ୍ତ ବିସ୍ତୃତ ସମୁଦ୍ରର କଳା କଳା ତରଙ୍ଗ ଉପରେ

ଚାଲିଚି ଜାହାଜ ବାହି,

କେଉଁ ବାଲି ଦ୍ୱୀପୁ ଅବା

ଆଣିବାକୁ ମଣି ମାଣିକ୍ୟ ବିସ୍ତର !

 

ତୁମରି ସବୁ ନିର୍ମମତା

ସହି ସହି ଚାଲିଚି ସେ, ଡାକୁଚି ସେ

ବିରକ୍ତିରେ କହୁନାଇଁ ପଦେହେଲେ କଥା !

 

ଚତୁର୍ଦ୍ଦିଗେ ମାଡ଼ି ଚାଲିଅଛ ତମେ,

ଅମରି ଗଛ ପରି,

ନଈ ତୀରେ, ରାସ୍ତାଧାରେ,

ଗାଆଁ ବାଡ଼େ

ଅବା କେଉଁ ଧାନ କିଆରୀରେ

ତମେ ହିଁ ରହିବ ବଞ୍ଚି ସୀମାହୀନ ଅହଙ୍କାରେ

ଆପଣାର ରାଜଛତ୍ର

ତୋଳି ପ୍ରତିଟିରେ !

 

ତଥାପି ସେ ଆସେ,

ତା ଅସ୍ତିତ୍ୱ, ତା ବ୍ୟକ୍ତିତ୍ୱ, ତା କୃତିତ୍ୱ

କରିବାକୁ ତୁମେ ସ୍ୱୀକାର

ମୋଟେ ହିଁ ପ୍ରସ୍ତୁତ ନୁହେଁ,

ତୁମେ ତୁମେ ତୁମେହିଁ କେବଳ

ସର୍ବଶକ୍ତିମାନ୍ ଏଇ ମହା ବସୁଧାର !

 

ସେ ହସେ, ବହୁତ ହସେ,

ପାଗଳ ପରି ବି ହସେ,

ଦେଖିଲେ ତୁମରେ,

ତଥାପି ସେ

ବହୁ ଦୁଃଖ କରେ,

ଟିକିଏ ତା କଥାକୁ

ନଜର ଦେଲନି,

ରହିଲ ରହିଲ ତମେ

ଟାଣି କୃଷ୍ଣ ଯବନିକା,

ତୁମ ସେଇ କଳ୍ପନାର,

ପ୍ରାସାଦ ଭିତରେ !

 

ଆଜି ତମେ ବସିଲେ ପାରୁନ ବସି, ହସିଲେ ପାରୁନ ହସି,

କହିଲେ ପାରୁନ କହି କଥା,

ପାଟି ତବ ମାରିଯାଏ ଖନି

ପଥଚାରୀ ପାଗଳ କୁକୁର ପରି

 

ଇତସ୍ତତଃ ହୋଇଉଠ

ଘୂରିଯାଏ ବାତଚକ୍ର ପରି

ତୁମ ସମୁନ୍ନତ ମଥା

କେଉଁଆଡ଼େ ଯିବ ?

ରାସ୍ତା ନାଇଁ ରାସ୍ତା ନାଇଁ ତୁମ ଚାରିଆଡ଼େ

ରାସ୍ତା ତ ଦେଇଚ କାଟି ତୁମେ ଏକବାରେ

ହାତ ପାତି କାହାକୁ ମାଗୁଚ ଆଶା ଆଶ୍ରା

କିଏ ଦେବ ? ଯେ’ ପାରନ୍ତା ଦେଇ

ତାରେ ତମେ ପାଦତଳେ ଦେଇଚ ଆଡ଼େଇ

ଚାହିଁନ ଚାହିଁନ ତୁମେ ଚାହିଁନ ତାହାରେ

ଆଚ୍ଛନ୍ନ କରିଚ ତାରେ ଛେପ ଓ ଖଙ୍କାରେ

ଧକ୍‌କା ଦେଇ ଫିଙ୍ଗି ବି ଦେଇଚ ତୁମେ

ତୁମରି ସେ ରାଜପ୍ରାସାଦର ପାଚେରୀ ସେପାରେ ।

 

କାହିଁ ତୁମ ସେ ରାଜମୁକୁଟ ? ରାଜସିଂହାସନ ?

କାହିଁ ତୁମ ସେ ରାଜପ୍ରାସାଦ, ମାନ ସନମାନ ?

କାହିଁ ସେଇ ରାଜ ଆଡ଼ମ୍ବର ?

କାହିଁ ତୁମ ରାଜଭଣ୍ଡାର

ସୁନା, ରୂପା, ମଣି ମୁକ୍ତାରାଜି ?

କାଲି ତୁମେ ଥିଲ ନୀଳ ଆକାଶଚାରୀ

ବିରାଟ ଇଗଲ ପକ୍ଷୀ

ଆଜି ତୁମେ ପାଲଟିଚ ଧରିତ୍ରୀ ଧୂଳିର

ସାମାନ୍ୟତମ ମକ୍ଷି !

ଏଇ ମହା ଧରିତ୍ରୀର କୁଟୀରେ କୁଟୀରେ

ବୁଲିଗଲେ ତୁମେ

ତୁମକୁ କେ’ ଜଣେହେଲେ ଆପଣାର କରି

ଚାହିଁବନି କ୍ଷଣେ !

 

ତୁମଲାଗି କା’ ଆଖିରେ ଟୋପେହେଲେ ଲୁହ

କା’ ଓଠରୁ ପଦେ ଆହା ବାଣୀ

ପାରିବନି ପାରିବନି ଫୁଟି ।

ତୁମେ ଏତେ ମାରାତ୍ମକ ପ୍ରାଣୀ

ତୁମରି ନିଃଶେଷ

ଖାଲି ତୁମରି ନିଃଶେଷ

ଆଜି ଯେହ୍ନେ

ସକଳର

ଚରମ ଉଦ୍ଦେଶ୍ୟ !

 

ସେତେବେଳର ତୁମର ଯେ ଦିମାକ

ଆଜି କିମ୍ପା ଯାଇଅଛି ମରି ?

ସେତେବେଳର ତୁମର ଯେ ଚାହାଣୀ

ଆଜି କିମ୍ପା ଦୈନ୍ୟ ତହିଁ

ଉଠେ ଲୀଳା କରି !

 

ସେତେବେଳର ତୁମର ଯେ ଆଧିପତ୍ୟ

ଯାହା ପାଖ ପଶିବାକୁ

ସଙ୍କୁଚିତ ହେବ ମହାସତ୍ୟ

ସେ କିମ୍ପା ଯାଇଚି ନିଭି

କେଉଁ ଦିଗ୍‌ବଳୟ ପାରେ,

ଆଜି ତୁମକୁ କିଏ ନେଇ ଚାଲିଚି

ଦେବାକୁ କବର

ଦସ୍ୟୁପରି ଚାଲିଚ ତୁମେ

ରାଜପଥ ଧାରେ ।

ସେଇ ମହାକାଳ

ଜଗି ବସିଚି ଅମୃତ ପ୍ରହରୀ ପରି

ବିଶ୍ୱଭୁବନର ଚାରିଆଡ଼େ ।

ଦେଖୁଚି ଚାହୁଁଚି ସବୁ

ନିଃଶବ୍ଦେ ସେ ଆପଣାର କରି

କେତେ କଥା କହିଦିଏ ପ୍ରତିଟିର କାନେ,

ତାକୁ ଅନ୍ଧ କରି ଚାଲିଯିବା

ଶକ୍ତି କା’ର ନାଇଁ ହେଲେ ତିଳ ପରମାଣେ ।

 

ତୁମେ ଦସ୍ୟୁ, ତୁମେ ଆତତାୟୀ

ତୁମକୁ ଗୋଟି ଗୋଟି କରି

ତାର ମହାବକ୍ଷ ପଟେ

ରଖିଚି ସେ ଲେଖି

ଗୋଟିଏ ଅକ୍ଷର ତାର ଭୁଲ ହେବ ନାଇଁ ।

 

ସେଇ ସେଇ ମହାକାଳ

ଯାହାରେ ଦେଇଚ ତୁମେ ସହସ୍ର ଧିକ୍‌କାର

ଆଜି ସିଏ ମହାରୁଦ୍ର ଉଠିଚି ପାଲଟି,

ତୁମେ ଶତ ଚେଷ୍ଟା କଲେ

ତାରେ ମାରିପାରିବନି ପଟି ।

 

ସେ ନେଇ ଚାଲିଚି

କେଉଁ ଦୂର ଦୂରାନ୍ତରେ

ତୁମକୁ ଦେବାକୁ କବର,

ପ୍ରକାଶ୍ୟ ରାଜପଥ ପରେ

ଦେଖାଇ ଦେଉଚି

ତୁମେ କେଡ଼େ ଜଘନ୍ୟ ବର୍ବର !

 

ଆମେ ଦେଖଥିବୁ

ତୁମେ ତ ନୁହହେ ରାଜା ମହାରାଜା

ଅବା ଶେଠ ସାହୁକାର

ପରର ତଣ୍ଟି ଚିପି ଆପଣାରେ

କରିନାହିଁ ବଳିଆର

 

ତୁମେ ତ ନୁହହେ ମନ୍ତ୍ରୀ ବା ଲାଟ

ଅଥବା ରାଷ୍ଟ୍ରପତି

ଅଣ୍ଟା ଭିଡ଼ିବ ଭୋଅଟ ଯୁଝରେ

ତୋଳିବ ବିଜୟ ଛାତି

ଦିଗ୍‌ବିଦିଗେ ତ କରିନାହଁ ନାଆଁ

ପ୍ଳେନ୍ ଜେଏଟ୍ ଚଢ଼ି

ଆମେରିକା ଅବା ଲଣ୍ଡନ ଯିବା

ସ୍ୱପ୍ନ ଦେଖିନ

ଜୀବନଟା ତବ ଶେଷ ହେଲା ଆସିକରି

 

ସଭା ସମିତିରେ ଲମ୍ବା ଲମ୍ବା

ବକ୍ତୃତା ମାନ ଦେଇ,

ଠିଆତ ହୋଇନ ବକ୍ତା ଭାବରେ

ଜାଣିବେ ତୁମକୁ କେହି

ଫୁଲମାଳ ତୁମେ ପିନ୍ଧି ଗଳାରେ

ଲକ୍ଷେ ଜନତା ମେଳେ

ସମ୍ମାନ ତୁମେ ପାଇତ ନଥିବ

ଦିନେ ହେଲେ କେତେବେଳେ

ପାଇନ ପାଇନ ପାଇବାକୁ ତମେ

ଚେଷ୍ଟା ନଥିବ କରି

ପଦ୍ମଶ୍ରୀ ବା ପଦ୍ମ-ଭୂଷଣ

ଛାତିଟା ଯହିଁରେ

ଫୁଲିଉଠେ କେତେ ଭଳି !

 

ପଢ଼ିତ ନଥିଲ ବେଶି ପାଠ ଶାଠ

ଉନ୍ମନ ଯଉବନେ

ବିରାଟ କାହୁଁ ବା ପାଇବ ?

ଯେଉଁ ଚାକିରୀରେ

ଲାଞ୍ଚ ମିଛର ହୋଇଥାଆନ୍ତ

ପରମ ପୂଜାରୀ ଜଣେ

 

ଆର୍ଯ୍ୟ ଯୁଗର କେଉଁ ମୁନି ଋଷି

ସାଧକ ସାଧନା ପରି

ନିଃସ୍ୱ ପରାଣେ ବିଶ୍ୱ ବେଦନା

କିଭଳି ଉଠିଲା ଥରି ?

 

ଏପାଖେ ଚାହିଁଲ ସେ ପାଖେ ଚାହିଁଲ

ଊର୍ଦ୍ଧ୍ୱେ ନିମ୍ନେ

ଚାହିଁଲ ପକାଇ ଆଖି

କେଉଁ ପାଖେ ଯିବି,

କେଉଁ ପାଖେ ଯିବି

ଅନ୍ତର ତଳେ କିଏ ଗଲା

ଡାକି ଡାକି

ସମାନ୍ୟ ତମେ ନଗଣ୍ୟ ତମେ

ଅଗଣ୍ୟ ପାଇଁ ତବ-

ବୁକୁ ତଳେ ତଳେ ଚମକ ଲାଗିଲା

ବିଦ୍ୟୁତ୍ ପରି

ଉଠିଲ ଉଠିଲ ଆହୁରି ଉଠିଲ

ନୋହି ବାରେ ନିସ୍‌ପ୍ରଭ ।

 

ରହିଲନି ତମେ ପାରିଲନି ରହି

ତୁମରି ଭିତରେ ବିଜନ ବନ୍ଦୀ ପରି

ମରୁପଥଚାରୀ ପଥିକ ସମାନ

ହତାଶା ଭିତରେ

ଦବିଗଲ ନାଇଁ

ନିଭିଗଲ ନାଇଁ

କି ମହାମନ୍ତ୍ର କେଉଁଠୁ ଶୁଣିଲ

ହେଲ ଚଞ୍ଚଳ

ହେଲ ହେ ଅଥୟ

ନିଜ ଟିକ ଦେବ

କେଉଁ ମହାଦୀପେ ଭରି !

ଜଳିଲା ଜଳିଲା ସେଇ ମହାଦୀପ

ଚାରିଆଡ଼େ ତାର ସୁବର୍ଣ୍ଣ ଶିଖା ମେଲି

ଯେତିକି ଜଳିଲା

ସେତିକି ତୁମରି ଅନ୍ତର ତଳେ

ଅମୃତର କି ଉତ୍ସ ଉଠିଲା ଖେଳି !

ଭୁଲିଗଲ ତୁମେ ସକଳ ଦୁଃଖ

ଭୁଲିଗଲ ତୁମେ ତୀବ୍ର ଅଭାବ ଜାଳା

ଖୋଜିଲନି ତୁମେ

ଖୋଜିଲନି କିଛି

ସାଧାରଣ ପରି ରହିଲ ରହିଚ

ସେଇ ମହାଦୀପ ଜଳାଇ ରଖିଚ

ଆସିଚ ବାତ୍ୟା ପ୍ରଳୟ ବତାଶ

ଆସିଚି ବରଷା ଧାରା

 

ଦିନୁ ଦିନ ତୁମେ ଭରୁଚ ତଇଳ

ତେଜୁଚ ସେ ଦୀପ ଆହୁରି ଆହୁରି

ମୁହୂର୍ତ୍ତ ପାଇଁ

ଯାଉନ ତାହାରେ ଛାଡ଼ି

କେତେ ଦିନ ମାସ ବରଷ ବିତିଚି

ସମୁଦ୍ରେ କେତେ ଜୁଆର ଉଠିଚି

କିଏ କେତେ କାହିଁ ଝଡ଼ିଚି ଫୁଟିଚି

ଖାତିରି କାହାକୁ କରିନ କରିନ

ପାଗଳ ପରାଏ ଚାହିଁ ତ ରହିଚ

କିଭଳି ଜଳୁଚି ସ୍ୱର୍ଣ୍ଣ ଶିଖା ସେ

କେତେ ଜନମର ସପନ ଟିକକ ବାଢ଼ି ।

ସେ ମହାସପନ ଦେଖି ଦେଖି ତମେ

ଚାଲିଚ ଧରଣୀ ପରେ

ଏ ପାଖେ ସେ ପାଖ ପାରି ନାହିଁ ହୋଇ

ଜୀବନର ହେଲେ ଥରେ

 

ଅମୃତ ହସ ପାରିଚ ତ ହସି

ନିର୍ଭୀକ ବୀର ପରି

ଜାଗ୍ରତ ତମେ, ମହା ଚେତନାର

ମଧୁ ସଂପଦ ଧରି

ଜୀବନର ଶେଷ ପାହାଚ ଉପରେ

ଦେଇଅଛ ଆଜି ପାଦ

ଚାଲିଯିବ କେଉଁ ସୁଦୂର ସେ ପାରି

ଯାଅ ଯେଉଁଆଡ଼େ

ଶୁଭୁଥିବ ତୁମ

ପ୍ରାଣର ଶଙ୍ଖନାଦ ।

 

ଜୀବନର ଶେଷ ପାହାଚ ଉପରେ

ହୋଇଅଛ ଆଜି ଠିଆ

କେଉଁ ମୁହୂର୍ତ୍ତେ

ପାଦ ଖସିଯିବ

ଲୁଚି ଯିବ ତମେ,

ଲୁଚି ଯିବ ନାଇଁ

ପାରିବନି ଲୁଚି

ତୁମ ଭିତରର

ଅମୃତ ବୋଳା ହିଆ

 

ଜୀବନର ଶେଷ ପାହାଚ ଉପରୁ

ନୀରବ କେଉଁଠି

କେତେବେଳେ ଯିବ ଢଳି

କିନ୍ତୁ ତୁମରି ମୁଗ୍‌ଧ ଚାହାଣୀ

ଜାତୀୟ-ମମତା ଭରା

ଦେଖୁଥିବୁ ଆମେ

କରୁଥିବୁ ଅନୁଭବ

ଛପି ସେ ଯିବନି

ରହିଥିବ ସେଇପରି

ଜୀବନର ଶେଷ ପାହାଚ ଉପରେ

ଠିଆ ହୋଇଅଛ

ଚରଣ ତୁମରି ହେଉଥିବ ଟଳଟଳ

ପଡ଼ି ପଡ଼ି ଯିବ ଆଜି ଅବା କାଲି

କିନ୍ତୁ ଯିବନି ପଡ଼ି

ଆମେ ଦେଖୁଥିବୁ

ତୋଟା ପଡ଼ିଆରେ

ନଈ ଗାଡ଼ିଆରେ

ଗାଆଁ ଗୋହିରୀରେ

ବଣ ଲଟା ହିଡ଼େ

ତୁମେ ବୁଲୁଅଛ ପାଗଳ ପରାଏ

ଆମ ପାଇଁ ଅବା

ସେଇ ଆଲୁଅଟି ଧରି ! *

* ନାଚୁଣି ମାଇନର ସ୍କୁଲର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଗୋଦାବରୀଶ ମହାପାତ୍ରଙ୍କ ଉଦ୍ଦେଶ୍ୟରେ-

 

ପାଷାଣ ପାରିବିନି ହୋଇ !

ସେ’ଦିନ ପରି ତୁମେ ପାରୁନ ହସଟିଏ ହସି,

ସେ’ଦିନ ପରି ତୁମେ ପାରୁନ ମୋହ ପାଖେ ବସି ।

ଦେଖୁଚି ହାୟ ତୁମେ ସବୁଜ ଏ ଶିଖରୀ ତଳେ

ମୋ ସାଥେ ଆଉ ବୁଲି ଯାଉନ ଆଗପରି ଥରେ ।

ଏ ନୀଳ ଚିଲିକାର ଏ ନୀଳ ଢେଉମାଳା ଖେଳ

ମୋ ତୁଲେ ଦେଖିବାକୁ ଆଉ ତ ହୁଏନାଇଁ ବେଳ ।

 

ସେ’ଦିନ ପରି ଆଉ ସେନେହବୋଳା ମଧୁକଥା,

ପଦିଏ କହୁନାହିଁ, ରହୁଚ ପୋତି ତୁମ ମଥା ।

ଆକାଶ ପରି ତୁମ ଉଦାର ବିସ୍ତୃତ ହିଆ

ମୋ ପାଖେ ପାତିବାକୁ ହେଉଚ କୁଣ୍ଠିତ କିଆଁ ?

ଦେଖିଲେ ମୋରେ ତୁମେ ଆଡ଼େଇ ହୋଇଯାଅ ଆଜି,

ମରମେ କି ଆଘାତ ସତେ ବା ଯାଇଅଛି ବାଜି ?

 

‘ଆଜିକ ରହିଯାଅ ତୁମରେ ପାରିବିନି ଛାଡ଼ି’

ଯେ ଓଠ କହୁଥିଲା, କି ଅବା ଅମୃତ ବାଢ଼ି ।

ପାଷାଣ ପରି ଆଜି ସେ ଓଠ ପାଲଟିଚି ଜଡ଼

ମୁଁ ଆଜି ତୁମ ପାଖେ ରହିଲି ହୋଇ ସାତପର !

ସେ ତମେ, ସେଇ ମୁଉଁ, ଆଜିଠୁ ଗଲା ଛିଡ଼ିଛିଡ଼ି

କେ’କାରେ ଖୋଜିବାନି ଦବାନି ମଧୁ ବୁକୁ ଚିରି ।

 

ଆଜିଠୁ ଗାଇବିନି ମୁଁ ଆଉ ତୁମ ଜୟଗାନ,

ଆଜିଠୁ ହେବିନାଇଁ ତୁମରି ପ୍ରାଣର ମୁଁ ପ୍ରାଣ ।

ଆଜିଠୁ ମୋ ଲେଖନୀ ତୁମରି ପାଇଁ ପଦେ ଲେଖି

ଯେ ମଧୁ ପାଉଥିଲା, ସେ ମଧୁ ପାରିବନି ଚାଖି ।

ଏ ନୀଳ ଚିଲିକାର ଅସୀମ ନୀଳିମାରେ ଚାହିଁ

ତୁମରି ଛାଡ଼ି ଏକା ପାରିବି ମୁହିଁ ଅବଗାହି ?

 

ତୁମକୁ ଦେଖୁଥିବି ଦୂରେ ବା ପାଖେ ବେଳେବେଳେ

ପାରିବି ନାଇଁ ଚାହିଁ ଇଚ୍ଛାକଲେ ଯେତେହେଲେ ।

ତୁମକୁ ଡାକିବାକୁ ଜାଗିଲେ ଭାଷା ଥରେ ଥରେ,

ସେ ମରିଯାଉଥିବ ଆପଣା ଛାଏଁ ଓଠତଳେ ।

ଏତେଟା ହୃଦ ଦେଇ କିଭଳି ବାଲିକୁଦ ପରି

ପାରିଲି ରହି ତମେ, ମୁଁ ମନେ ଯାଉଥିବି କରି ।

 

ପାଗଳ ପରି ମୁହିଁ ଗାଇଚି ଯେତେ ଯେତେ ଗାନ

ମୁଁ ଅନୁଭବ କରି ତୁମରି ସେନେହର ଦାନ;

ସେ ସବୁ ନିର୍ମମେ ପାରୁନି ପାରୁନି ମୁଁ ଚିରି,

ଦେଇଚ ଦିନେ ଯାହା ସେ ମୋର ଅମୃତ ଶିରୀ !

ପାଷାଣ ନୁହେଁ ମୁହିଁ ପାଷାଣ ପାରିବିନି ହୋଇ

ତୁମରି ପାଇଁ ଯିବି ଝରଣାଟିଏ ପରି ବୋହି ।

 

ଯେତିକି ଦେଖୁଚି ମୁଁ ତୁମକୁ ନିତି ବଡ଼ କରି

ଆହୁରି ବଡ଼ କରି ଦେଖିବି ଯିବାଯାଏ ମରି ।

ଯେତିକି ପାଇଚି ମୁଁ ତା’ ତହୁଁ ବହୁ ପରିମାଣ

ମମତା ପାଉଥିବି, ହବନି ତାର ଅବସାନ ।

 

ଯେତିକି ଦୂରେ ଦୂରେ ତୁମଠୁ ରହିଥିବି ମୁହିଁ

ତା’ ତହୁଁ ବେଶି ବେଶି ତୁମରେ ପାରୁଥିବି ଛୁଇଁ ।

ଚିତ୍ରମୟୀ ଏଇ ଚିଲିକା ନୀଳ ବୀଚି ପରି

ଆହୁରି ଉଠିବି ମୁଁ ଉଲୁସି ଦିନ ଦିନ ଧରି ।

ମୁଁ ଶୁଣୁଥିବି କାନେ ତୁମରି ମଧୁବୋଳା କଥା

ଯହିଁରୁ ଫୁଟୁଥିବ ଆହୁରି ବେଶି ମାଦକତା ।

 

ଏ ଖୋଲା ଆକାଶର ଜୋଛନା ଢେଉରେ ମୁଁ ଢଳି

ତୁମକୁ ଖୋଜୁଥିବି ଆହୁରି ମୁଁ ପାଗଳ ପରି ।

ଏ ନୀଳ ପ୍ରାନ୍ତର, ଏ ନୀଳ ଚିଲିକାର ଜଳ

ତୁମ ମୋ ମିଳନର ସାକ୍ଷୀ ଯେ କେତେ କେତେ ଥର ।

ପଚାରୁଥିବ ଯେବେ କାହିଁକି ଏକା ଏକା ବୁଲ

ଦେବି ମୁଁ ଉତ୍ତର, ବୁଝନି ମତେ ତମେ ଭୁଲ ।

 

ମୁଁ ଏକା ଏକା ନୁହେଁ ମୋ ବୁକୁ ତଳେ ଅଛି ଜଣେ

ଦେଖିଲେ ମୁଁ ଦେଖିବି, ପାରିବ ନାଇଁ ଦେଖି ତମେ ।

 

ରହିଚ ରହିବିତ ଦେଇଣ ମତେ କରଛଡ଼ା

ଦେଖିଚ ଦେଖିବତ ମୁଁ କିବା କାଠି କୁଟା ନଡ଼ା !

ବୁଝିଚ ବୁଝିବତ ପାଗଳ ପରି ଆସେ ଯାଏ

ଜାଣିଚ ଜାଣିବତ ମୁଁ ଖାନଦାନ ନୁହେଁ ପ୍ରାୟେ !

ପାରିବ କହି ତମେ ଯୋରକରି ମତେ ଚାହିଁ,

ତୁମକୁ ଛୋଟ କରି ଦେଖିଚି କେବେ ହେଲେ କାହିଁ ?

 

ତୁମରି ପଥେ ପଥେ ତୁମେ ଗୋ ଆଜି ଯାଇପାର,

ମାନସ ପଟୁ ମତେ ପୋଛିଣ ଦେଇ ଏକବାର,

ଆକାଶେ ରହ ତମେ ପାତାଳେ ରହ ତମେ ଯାଇ,

ତହିଁରେ ମୋର ଅବା କି ଅଛି କହିବାର ପାଇଁ ?

 

ଯେଉଁଠି ରହି ତମେ ଯେଭଳି ଦିନ କାଟି ନିଅ

ତୁମେ ଗୋ ମୋର ପ୍ରିୟା, ମୁଁ ପଛେ ନୋହେତମ ପ୍ରିୟ !

ଏ ମହାକାଳ ଭାଲେ, ସେ କେଉଁ ଶିଳା ସଇକତେ

ମୁଁ ନିଭିଯାଇପାରେ ସୁଦୂର ମୋର ଚଲାପଥେ ।

 

ହୁଏତ ସଂଧାନ ତୁମେ ତା’ ନେଇ ନାଇଁ ପାର,

କାହିଁକି ନବ ଯେବେ ରହିଚ କାଟି ତିନିଗାର ?

ଜୀବନ ଯା’ ଦେଇଚ ଯାହା ବା ନ ଦେଇଚ ପାରି

ମୋ କଳବେଣୁ ତାନେ ମୁଁ ଯାଉଥିବି ନିତି ଢାଳି ।

 

ତୁମେ ଗୋ ମରି କାହିଁ ଭସ୍ମ ହୋଇଥିଲ ପଡ଼ି

ମୁଁ ଠିଆ ହେଉଥିବି ଆଖିରେ ଲୁହଟି ଧରି !

ମୁଁ ଧରୁଥିବି ସେଇ ପାଉଁଶ ଅଙ୍ଗାର ମୁଠି

ସେ ହାତ ପାଦ ଦେହ କେଉଁଠି ଅଛ ଆସ ଫୁଟି-

ମୁଁ କହି ଉଠୁଥିବି, ବିଦାରି ଶ୍ମଶାନ ମାଟି,

ସବୁ ମୁଁ କାଟିପାରେ, ତୁମରି ବନ୍ଧନ

ପାରୁନି ପାରୁନି ମୁଁ କାଟି ।

 

ସେ ହସ ସେ ଚାହାଣୀ ଭିତରେ ମଧୁ ଦିଆନିଆ

କେଉଁଠି ରହିଅଛି ? ପୁଣି ଆସି ହୁଅ ଠିଆ !

ଟିକକ ପରେ କାହିଁ ଉଭାଇ ଯାଅ ପଛେ ତମେ

ଟିକିଏ ଫେରି ଆସ, ମୁଁ ଚାହିଁଦିଏ ଆଖି-କଣେ ।

ମୁଁ କହି ଉଠୁଥିବି ଆଖିର ଶତ ଲୁହଧାରେ,

ମୋ ଆଖି ଲୁହ କେହି ଦେଖିବେ ନାହିଁ ବସୁଧାରେ ?

 

ତୁମେ ଗୋ ଆସି ଯେବେ ହୁଅନ୍ତ ଉଭା ମୋହ ପାଶେ

ସେ ହାଡ଼ମୁଠି ତଳୁ ବିଜନ ଶ୍ମଶାନ ଘାସେ

ପାଷାଣ ନୁହେଁ ମୁହିଁ ପାଷାଣ ପାରିବିନି ହୋଇ

ତୁମରି ଲାଗି ଘାଟ ଝରଣାଟିଏ ପରି ବୋହି,

ଗୋଟିଏ ଚୁମ୍ବନ ସ୍ନିଗ୍‌ଧ ସେଇ ଓଠେ ଦେଇ

କହନ୍ତି-ଏଇଟିକ ଦାନ ମୋ ଶେଷ ଯାଅ ନେଇ !

 

ବନ୍ଦିନୀ ବାଳିକା

ବୋଉକୁ ଡାକୁଚୁ ତୁହାଇ ତୁହାଇ

କେଉଁ ଶମଶାନେ ମାଟି ଗୋଡ଼ି ବାଲି ପାଉଁଶ ହୋଇତ

ବୋଉ ପଡ଼ିଥିବ ମରି,

ତୋ ଆଖିର ଲୁହ କିଏ ସେ ଦେଖିବ କିଏ ସେ ଆସିବ

ନିଜରୁ ନିଜର କରି ।

ଭାଇ ବୋଲି କିଏ ତୋର ଶୋଣିତର

କେହି ଜଣେ ନାଇଁ ଦେଇଚି ସ୍ରଷ୍ଟା କାଟି

ଦେଖନ୍ତା ଆସି ବରଷକେ ଥରେ

କେଡ଼େ ହୀନିମାନ କି ମହା ଦଇନେ

ରହିଚି ଭଉଣୀ ଗୋଟି ।

 

କେଉଁ ଦୂର ଗାଆଁ ପଲ୍ଲୀ ଭୂଇଁ ସେ

କେଉଁଠି ଜନମ ତୋର

ତିଆଗି ସେ ଭୂଇଁ ଆସିଥିବୁ କେଡ଼େ ସୁଖ ଶରଧାରେ

କରିବାକୁ ଏଥି ଘର !

ଘର ବୋଲି ସେ’ତ ଗୋଟିଏ ବଖରା

ଖିଆ ପିଆ ଶୁଆ ତହିଁ

ସକାଳ ପାଇଲେ ରାନ୍ଧିବୁ କିସ

ଖୁଦ ମଳୁଖ ତ କେଉଁଠି ମୁଠିଏ ନାଇଁ ।

କାହାରେ ଚାହିଁ ତୁ ଦିନ ନେବୁ କାଟି

ପରାଣ ଦୟିତ ଯିଏ

ଏକ ନମ୍ବର ମଦୁଆ ଗୋଟାଏ

ଅଧ ରାତିରେ ମାଡ଼ ଗାଳି ତୋରେ ଦିଏ ।

 

ଷୋଳ ବରଷର ଝିଅଟିଏ ତୁହି

ଗୋଟିଏ ଚାଉଳେ ଗଢ଼ା,

ଏଡ଼େ ସୁନ୍ଦରୀ ଏ ମାଟି ଉପରେ

ନାଇଁ ନଥିବଟି ପରା !

ଖାଇ ପିଇ ସୁଖେ ମଧୁ ସନମାନେ

ରହିତ ପାରୁନୁ ଗୋଟିଏ ନିମେଷ ତୁହି,

ଶୁଖି ଶୁଖି ଦିହ କଣ୍ଟା ହେଲାଣି

ଚାହିଁଲେ ନପାରେ ଚାହିଁ ।

କିଏ ତୋରେ ଆଣି ଥୋଇଲା ଏ ଘରେ

କେଡ଼େ ନିର୍ମମ ଟାଏ,

ତୋ ଆଖି ଲୁହର ପ୍ରତି ବିନ୍ଦୁରୁ

ଯେ ବେଦନା ଝରେ

ଦେଖିଲେ ଦେଖୁଚି ବସି ଏଇ ଘରେ

ଦେହ ମୋର ନାଇଁ ସହେ ।

 

ଏ ମଧୁ ବୟସେ ଟିକିଏ ମାଆ ଲୋ

ହସିତ ପାରିଲୁ ନାଇଁ,

ବନ୍ଦିନୀ ପରି ଏ ମାଟି ବଖରା ତଳେ

ରହିଚୁ କେବଳ ତୋ’ ଜୀବନ ଘେନି

ଚାରିଆଡ଼କୁ ଯେ ଜୁଳୁ ଜୁଳୁ ଜୁଳୁ ଚାହିଁ ।

 

ତୋର ବୟସର କିଏ କେତେ କାହିଁ

ଥିବେ ସୁଖ ସନମାନେ

ରାଣୀ ବଇଭବେ କାଳ କାଟୁଥିବେ

ଭୂଇଁରେ ଚରଣ ପଡ଼ୁ ତ ନଥିବ ଧାନେ ।

ସେ ମଧୁ-ବିଭବୁ ଟିକିଏ ମାତର

ପାଇକି ପାରିଲୁ ଆସି ଏ କୁଟୀର ପୁରେ

ଜୀଅନ୍ତା ପ୍ରେତ ପ୍ରତିମା ପରି ତୁ

କେଡ଼େ କଲବଲ ହେଉଚୁ ମହୀରେ,

ଜାଣିଲେ ଜାଣୁଚି

କଣ ମୁଁ କେବେ

ରହି ଏ ପଡ଼ିଶା ଘରେ ।

 

କଳା

ଊର୍ଦ୍ଧ୍ୱେ ନିମ୍ନେ ଚତୁର୍ଦ୍ଦିଗେ ଅଳନ୍ଧୁ ପରାଏ କଳା ରହିଅଛି ଭରି,

ତୁମରେ ତିଆଗି ଆଜି ବଞ୍ଚି ରହିବାଟା ମୂର୍ଖତାର ପରିଚୟ ପରି ।

ହେ ମହାକଳାର ଦାଗ ! ତୁମେ ଲାଗିନାହଁ ଯାହାଠାରେ ବାରେ,

ଏ ଜନ ସମାଜ ମେଳେ ସ୍ଥାନ ତା’ର କେଡ଼େ ଅକିଞ୍ଚନ ସବୁଠାରେ ।

ଦେହମୁଣ୍ଡ ହାତଗୋଡ଼ ସବୁଠି ଯାହାର କଳା ତୁମେ ରହିଅଛ ଲାଗି

ନିବିଡ଼ୁ ନିବିଡ଼ ହୋଇ, ସେ ଏକା ପର୍ବତ ପରି ଏ ଧରାରେ ଉଠିଅଛି ଜାଗି ।

ତାହାରି ଚରଣ ତଳେ ଧରଣୀର ମଥା ଆପେ ଆପେ ହୋଇଯାଏ ନତ

ତାହାରି ସ୍ତବପାଠ, ତାରି ଆରାଧନା, ତାରେ ହାତ ଯୋଡ଼ି ଖୋସାମତ

ନକଲେ ଧରାର ଯେହ୍ନେ ଜନ୍ମେ ଜନ୍ମେ ନାଇଁଛି ନିସ୍ତାର,

ହେ କଳା ! ତୁମେ ଦିଅ ଥିତି, ପ୍ରୀତି, ଗତି ମୁକ୍ତି ବିରାଟ ବିସ୍ତାର ।

କଚେରିବାଚେରି କାରଖାନା ହାଟେ ବାଟେ ଦୋକାନେ ଦୋକାନେ

ସର୍କାରି ବେସର୍କାରି ଯେତେ ଯହିଁ ସାନବଡ଼ ସବୁ ଅନୁଷ୍ଠାନେ ।

ତୁମରି ଷୋଡ଼ଶ ପୂଜା, ତୁମରି ମୃଦୁ ମଧୁ ଆଲିଙ୍ଗନ,

ଜୀବନରେ ଆଣିଦିଏ ସକଳ ଐଶ୍ୱର୍ଯ୍ୟ,

 

ତୁମେ ଆଜି ନର ସମାଜର ଏକାନ୍ତ ଭୂଷଣ ।

ମୂର୍ଖରେ ପଣ୍ଡିତ କର, ନିର୍ଧନରେ ଧନୀ, ପାଷାଣ୍ଡରେ କରିଦିଅ ସମ୍ମାନ

ଆସ୍ପଦ,

ତୁମରି ପରଶେ ପରାଜିତ ପାଏ ବିଜୟୀର ଗୌରବ ସମ୍ପଦ ।

ତୁମେ କେଉଁ ଐନ୍ଦ୍ରଜାଲିକର ଅଜଣା କାଉଁରି କାଠି, ତୁମ ସ୍ପର୍ଶ ଲଭି

ଦଣ୍ଡକ ଭିତରେ ଫୁଟିଉଠେ କେତେ କେତେ ନବ ନବ ଛବି;

ଜୀବନର ସମାଜର ସୃଷ୍ଟିକରି ଆଶ୍ଚର୍ଯ୍ୟ, ବିସ୍ମୟ,

ହେ ଅଦ୍ଭୂତକର୍ମ କଳା ! ତୁମେ ଆଜି ଦେଇଅଛି ଓଲଟାଇ

ମାନବର ଆଦିମ ପ୍ରତ୍ୟୟ ।

 

ହେ କଳା ! ହେ ସ୍ପର୍ଶମଣି ! ତୁମେ ଆଜି ପୂଜ୍ୟ ପ୍ରିୟ ସକଳର,

ସବୁ ଶିକ୍ଷା ଦୀକ୍ଷା ତୁମକୁହିଁ କେନ୍ଦ୍ର କରି ଚାଲିଚି ସତ୍ୱର ।

ଡେଇଁ ତୁମ ସିଂହଦ୍ୱାର ତୁମରି ଉଆସେ କଲେ ପଦପାତ,

ଦୁଃଖ ନାଇଁ, ଭୟ ନାଇଁ, ତୁମେହିଁ ସାହାସ ଦେବ ଶକ୍ତିଦେବ ଯିମିତି ଇସ୍‌ପାତ !

କେଉଁ ଯୁଗେ କେବେ ତୁମେ ହୋଇଥିଲ ଘୃଣ୍ୟ ଓ ଅସ୍ପୃଶ୍ୟ

ସେ ମହା ଆଦିମ ଯୁଗ ଚକ୍ଷୁ ଥିଲା ଅନ୍ଧ;

ଏବେ କିନ୍ତୁ ଚାଲିଚି ସମଗ୍ର ଦେଶ

ହାତେ ଧରି ଫୁଲମାଳା ତୁମ ପୂଜା ଆରାଧନା କରିବାର ପାଇଁ

ତୁମରି ବନ୍ଦନା ଗୀତି ନ ଗାଇ ପାରିଲେ

ସ୍ଥାନ ଯେହ୍ନେ କା’ର ହେଲେ ତ୍ରିଭୁବନେ ନାଇଁ !

 

ହେ ସର୍ବ ଶକ୍ତିମାନ୍‌ କଳା ! ତୁମ ପୂଜା ଆରାଧନା ପାରିନି ମୁଁ କରି,

ତୁମରି ଯେ ଯାଦୁକରୀମାୟା ଏକଇ ମୁହୂର୍ତ୍ତ ପାଇଁ ମୋରେ

ପାରିନାଇଁ ପାରିନାଇଁ ଧରି !

ମୋର ଦେହ ମନ ଆତ୍ମା ସକଳରେ ତୁମକୁ ବୋଳିହୋଇ ହେ କଳା !

ବଞ୍ଚି ରହିବାକୁ ରାଜ ବଇଭବେ,

କୁଣ୍ଠିତ ମୁଁ, କାତର ମୁଁ, ରାଜିନୁହେ ଲବେ ।

ତୁମରି ଆହ୍ୱାନ ବାଣୀ, ତୁମରି ମଧୁଭରା ନିମନ୍ତ୍ରଣ

ମୋରେ ପାରିନାଇଁ କରି ଉନ୍ମନ ପାଗଳ,

ତୁମରି ସେ ସିଂହାସନ ପାଖେ ବହୁ ପ୍ରାଣୀ ଛୋଟଠାରୁ ବଡ଼ଯାଏ-

 

ହୋଇଚନ୍ତି ଠିଆ, କିବା ଦିନ କିବା ରାତି,

କିନ୍ତୁ ଠିଆହେବା ଦୂରେ ଥାଉ ମୋର

ଟିକିଏ ମୁଁ ଦେଇନାଇଁ ଚାହିଁ,

କାଳେ ତୁମରି ଦେହ ଓ ମନର ଟିକିଏ ସାମାନ୍ୟ ରେଣୁ

ଉଡ଼ିଆସି ସୃଷ୍ଟି ପାରେ କରି

ମୋ ଶୋଣିତ ବିନ୍ଦୁ ତଳେ ତଳେ କମ୍ପନ ପ୍ରବଳ ।

 

ଯୋଜନ ଯୋଜନ ଦୂରେ ରହିଚି ମୁଁ, ରହି ବି ପାରିବି,

ରହିଥିବି ଜନମ ଜନମ ଧରି ସାମାନ୍ୟ ମୁଁ,

ଅସାମାନ୍ୟ ନୋହିପାରେ ବାରେ, ତୁମ ଦୟା ଦାନେ,

ଏ ମହାସୃଷ୍ଟିର ସୁବିସ୍ତୃତ ସୁବର୍ଣ୍ଣ ଲଲାଟେ

କଳଙ୍କର ଟୀକା ପରି ବିଞ୍ଚି ରହିବାରେ

କି ଅମୃତ କୋଟିନିଧି ମିଳେ ମୁଁ ତ ନାଇଁ ଜାଣେ ! !

 

ହେ ସର୍ବଶକ୍ତିମାନ୍‌ କଳା ! ଧରଣୀର ପ୍ରକାଶ୍ୟ ରାଜପଥେ ମୁଁ ଚାଲିଚି

ନିର୍ଭୀକ ସଇନି ପରି,

ତୁମେ କିନ୍ତୁ ଲୁଚି ଲୁଚି ଛପି ଛପି ଯାଉଚ କୁଆଡ଼େ ?

ମୋ ଭଳି ପତ୍ରକୁଡ଼ିଆର ସାମାନ୍ୟ ଜନ ପାଖେ

ତୁମେ କେତେ ଭୀରୁ କେତେ ସଙ୍କୁଚିତ

ସଳଖ ତ ଠିଆ ହୋଇପାରୁନାହଁ ବାରେ !

ଛାତିରେ ହାତ ମାରି ସ୍ପଷ୍ଟ କରି କହିବାକୁ ପଦେ ମାତ୍ର କଥା

ଏତେ ଭୟ ! ଏତେ ଚିନ୍ତା !

ଘୂରିଯାଏ ତୁମରି ସେ କଳଙ୍କ-ମୁକୁଟ ବଂଧା ରାଜମଥା ।

କି ସମ୍ପଦ ତୁମେ ମତେ ଭରିଦେବ ? ନେବି ମୁଁ ଅଞ୍ଜଳି ପାତି,

କି ସମ୍ପଦ ଅଛି ବା ତୁମର ?

ମାଟିକି ଲୁଣ୍ଠନ କରି ପୃଥିବୀର ଇତିହାସେ

କିଏ କେବେ ହୋଇନାଇଁ ବଡ଼ ।

ତୁମେ କି ବିଭତ୍ସ ! କେଡ଼େ ଭୟଙ୍କର !

ପ୍ରତି ମୂହୂର୍ତ୍ତରେ ଥିତି ତବ ଟଳମଳ

ଭୀତି ତବ ପ୍ରବଳୁ ପ୍ରବଳ ।

ତୁମେ ସେଇ ସର୍ବଶକ୍ତିମାନ୍‌ କଳା ?

କବି ମୁଁ ଗାଉଚି ଗୀତ ତୁମ ନାମେ

କିମିତି ବିକମ୍ପିତ କରି

ଏ ଆକାଶ, ଏଇ ବସୁନ୍ଧରା ।

 

ତୁମେ ଜାଣ ଖାଲି କିଭଳି କରିବ ଟଙ୍କା ପଇସା ଘରବାଡ଼ି,

ତୁମେ ଜାଣ ଖାଲି ବଞ୍ଚିବ ନିଜେ ସାରା ଦୁନିଆକୁ ପୋଡ଼ିଜାଳି ।

ତୁମେ ଜାଣ ଖାଲି ଫନ୍ଦି ଫିକର କୃତ୍ରିମ ହସ ଓଠେ ବାଢ଼ି,

ତୁମ ବୁକୁ ତଳେ ବଞ୍ଚିଛି ଗୋଟେ କଳା-ନାଗ ଖାଲି ଫଣା କାଢ଼ି ।

ଛନ ଛନ ଶତ ପୋଷାକ ପିନ୍ଧି ତୁମେ ସିନା ଦିଶ ଝଲମଲ,

ତୁମ ଦେହ ମନ ପ୍ରତି ରେଣୁ ତଳେ ହଳାହଳ ଖାଲି ହଳାହଳ ।

 

ପଇସାରଜୀବ ପଇସା ତମର ଏକଇ କାମ୍ୟ ଜୀବନର,

ପଇସା ପାଇଁକି ସବୁ ଇଜ୍ଜତ ବିକିବାକୁ ତମେ ଆଗଭର ।

ପଇସା ପଇସା ପଇସା କେବଳ ତା’ ପାଇଁକି ଚୋରି ଡକାୟତି,

ଦିନ ଦି’ପହରେ କରିବା ପାଇଁକି କୁଣ୍ଠିତ ନୁହେଁ ତୁମ ମତି ।

 

ପଇସା ପାଇଁକି ଚିରଦିନ ଧରି-ନିର୍ଲଜ ତୁମେ ହୋଇପାର

ପଇସା ଭିତରେ ଅନ୍ଧ ହୋଇଚ ଦୁନିଆକୁ କରି ଚୁରମାର ।

ସଇତାନ ତୁମେ ସଇତାନ ଖାଲି, ସଇତାନ ତୁମେ ସଇତାନ,

ତୁମେ କି ଜାଣିବ, ତୁମେ କି ବୁଝିବ ଜୀବନ ବୀଣାର ମଧୁତାନ ?

ତୁମେ ନିଷ୍ଠୁର ତୁମେ ନିର୍ମମ ତୁମେ ନିର୍ଲଜ କାଳକାଳ

ତୁମେ କି ବୁଝିବ ବିକଳ ହିଆର କ୍ରନ୍ଦନ ବୋଳା ଲୁହଧାର ?

ତୁମେ ରାକ୍ଷସ ତୁମେ ରାକ୍ଷସ, ରାକ୍ଷସ ଖାଲି ରାକ୍ଷସ,

ତୁମେ କି ଜାଣିବ ଜୀବନ ଫୁଲରେ ଜାଗୁଛି କିଭଳି ମଧୁ-ହସ ?

 

ପାଷାଣ ପାଷାଣ କଠୋର ପାଷାଣ, ତୁମରି ତୁମରି ବୁକୁ ତଳ

ତୁମେ କି ଜାଣିବ କଳ-ବେଣୁ ତୋଳି ବହୁଚି କିଭଳି ନିର୍ଝର ?

ସୀମାହୀନ ମରୁପ୍ରାନ୍ତର ପରେ ମରୀଚିକା ତୁମେ ମରୀଚିକା,

ସବୁଜ କ୍ଷେତର ସ୍ନିଗ୍‌ଧ-ସୁଷମା କି ବୁଝିବ ତୁମେ ବିଭୀଷିକା !

ମଣିଷ ମାଟିର ବହୁ ଦୂରେ ତମେ ବହୁ ଦୂରେ ତୁମେ ବହୁ ଦୂରେ,

ଚାଲିଯାଅ ତୁମେ, ନିଃଶେଷ ହୁଅ, ରହନା ରହନା ଏଇ ପୁରେ ।

 

ହଜାରେ ଟଙ୍କା

(୧)

ହଜାରେ ଟଙ୍କା ନେଲାବେଳେ ତୁମ ହାତ ଉଠିଲାନି ଥରି

କେତେ ଦୁଃଖର ପଇସା ଏ କାର ନେବି ମୁହିଁ କେଉଁଭଳି ?

ତୁମ ଭିତରଟା ମନାକରିଥିବ ଶୁଣିଲକି ତାର ମନା ?

ତୁମରି ମାଟିର ଦୁଃଖୀଟିଏ ସେ ପାଏନାଇଁ ଦାନା କନା ।

ବିକିଥିବ ତାର କଂସା ତାଟିଆ ବିକିଥିବ ଗରା ଢାଳ

ବନ୍ଧା କେଉଁଠି ଦେଇଥିବ ତାର ଭାରିଜା ବେକର ହାର

ତା’ ହାଡ଼ ମାଂସ ବିଦାରି ବିଦାରି ଯୋଗାଡ଼ ଥିବ ସେ କରି

ହଜାରେ ଟଙ୍କା, ପିଅନ ଚାକିରି ଗୋଟିଏ ପାଇବ ବୋଲି ।

 

(୨)

ତୁମରି ହାତକୁ ଟଙ୍କା ବଢ଼ାଇ ନିସ୍ୱ କୁଟୀରେ ତାର

ଫେରିଯାଇଥିବ ଲୋଚନୁ ଗଡ଼ାଇ ଦୁଇଟି ଲୋତକ ଧାର ।

ପ୍ରତିନିତି ଗ୍ରାମେ ଡାକବାଲା ଆସି ନିତି ଯାଉଥିବ ଚାଲି

ଉଦ୍‌ବେଗଭରେ ପଚାରୁଥିବ ସେ ମୋ’ଚିଠି ଆସିଚି ବୋଲି ।

ଭାଳୁଥିବ ସେହୁ ହଜାରେ ଟଙ୍କା ଗଣିଦେଲି ଯାହା ପାଖେ

ଦେବ ସେ ଚାକିରୀ, ଚିଠି କିମ୍ପାଇ ଆସିଲାନି ଆଜିଯାକେ

ପିଲାଟିମାନେ ତା’ ଉପାସ ଓ ଭୋକ ହେଉଥିବେ ନାରଖାର

ଦିଦିନକେ ଥରେ ଲାଗୁଥିବ ଚୁଲି ଦିନେ ଦିନେ ନିରାଧାର ।

ଚାହିଁ ବସିଥିବ ମିଳିବ ଚାକିରୀ ନିଶ୍ଚୟ ନିଶ୍ଚୟ !

ହଜାରେ ଟଙ୍କା ଦେଇଚି ଯାହାରେ ହେବ ଏଡ଼େ ନିର୍ଦ୍ଦୟ ?

 

(୩)

ହଜାରେ ଟଙ୍କା ନେଲାବେଳେ ତୁମ ହାତ ଉଠିଲାନି ଥରି ?

ମନେକରିଥିବ ସତେ ବା ଆସିଚି ଦୁର୍ଗଟେ ଜୟକରି ।

ପୁଅ ମୋର ଯାଏ ଦି ତିନି ମାଇଲି ଚାଲି ଚାଲି ପାଠପଢ଼ି

ତା’ପାଇଁ ଆସିବ ରାଲେ ସାଇକଲ ଭଳି ଯେ ପାରିବ ଗଡ଼ି ।

ଝୁନିପାଇଁ ହବ ସ୍କଟ ବ୍ଲାଉଜ୍‌, ବୁଲୁପାଇଁ ସୁଇଟର

ଗଲେ କଲିକତା ଭଲ ରେଡ଼ିଓଟେ ଆସିଯିବ ଏଇଥର ।

ପୁଣି ଭାଳୁଥିବ କୁଟିରେ ଛନ୍ତି ଯେ ମୋର କୁଟୀର ରାଣୀ

ତାଙ୍କରି ଲାଗି ସମ୍ବଲପୁରୀ ଶାଢ଼ୀଟେ ମୁଁ ଦେବି ଆଣି ।

 

(୪)

ହଜାରେ ଟଙ୍କା ନେଲାବେଳେ ତୁମ ହାତ ଉଠିଲାନି ଥରି ?

ସପନ ଦେଖୁଚ କିଭଳି କା’ପାଇଁ ଖରଚ ପାରିବ କରି ।

ତୁମରି ଭଳି ସେ ଯେ ମଣିଷ ଗୋଟିଏ ନିଃସ୍ୱ ତା’ ଚାଳିଆରେ

ଭାଳୁଥିବ ବସି ହଜାରେ ଟଙ୍କା ଗଣିଦେଲି କିଆଁ କାରେ ?

ଚାକିରୀ ବାକିରୀ ମିଳିଲାନି କିଛି ଆସିଲା ନାଇଁତ ଚିଠି

ଦିନ ଦିନ ଧରି ହେଉଥିବ ସିଏ କେତେ ଯେ ବାଡ଼େଇପିଟି ।

ମନମାରିଦେଇ ବସୁଥିବ କାହିଁ ବିଜନେ ବଦନ ପୋତି

ଓଠରୁ ବଚନ ଫୁଟୁତ ନଥିବ ହଜିଯାଇଥିବ ଜ୍ୟୋତି ।

କିପାଇଁ ଦେଲି ହଜାରେ ଟଙ୍କା ମୋ ଦେହ ମାଂସ କାଟି

ଭାବିଦେଲାବେଳେ ଛାତି ଭିତରଟା ଯାଉଥିବ ନିକି ଫାଟି ।

ଶୁଣିଥିବ ଯେବେ ଆଉ ଜଣେ କିଏ ରହିଲା ସେ ଜାଗା ମାଡ଼ି

ରକତ ଦଲକେ ଖସିପଡ଼ିଥିବ, ଯାଇଥିବ ଚେତା ବୁଡ଼ି ।

 

(୫)

ହଜାରେ ଟଙ୍କା ନେଲାବେଳେ ତୁମ ହାତ ଉଠିଲାନି ଥରି ?

ବଡ଼ ଅଫିସର ଯାଉଚ ଆସୁଚ ଜିଇପି କାଆର ଚଢ଼ି ।

ଚାଲିଗଲା ବେଳେ ପାଉଚ ସଲାମ ଛୋଟଠାରୁ ବଡ଼ଯାଏ

ସତେବା ସବୁରି ମରମ ବେଦନା ବୁଝିବା ଦେବତାଟାଏ ।

ହସ୍ତ ହଲାଇ ମସ୍ତକ ନାଡ଼ି ବକ୍ତୃତା ଦିଅ ଝାଡ଼ି

ଏଡ଼େ ସୁନ୍ଦର ବକ୍ତୃତା ପଡ଼େ ଘନ ଘନ କରତାଳି

ତୁମେ ହୋଇପାର ଚୋର ଡକାଏତ, ତୁମେ ହୋଇପାର ଡାକୁ !

ଯୁଗ ବିତିଯିବ ନିଜେ ଭଗବାନ ବିଶ୍ୱାସ କରିବାକୁ ।

 

(୬)

‘ହଜାରେ ଟଙ୍କା ହଜାଇ ଦେଲି ମୁଁ ଖାଇଥାନ୍ତେ ମୋ ପିଲେ’

କୋହ ଆସୁଥିବ, ଲୁହ ବୋହୁଥିବ, କହିଚାଲିଥିବ ନିଃସ୍ୱ ତା ଚାଳୀଟିରେ ।

ଭିକ ମାଗୁଥିବ ଇଆ ତା ଦୁଆରେ ହୀନିମାନେ କାନି ପାତି

ପାଗଳ ପରାଏ ବୁଲୁଥିବ ସରୁ ନଥିବ ତା’ ଦିନ ରାତି ।

କେତେ ଦୁଃଖର ଟଙ୍କା ସେ ମୋର ନେଇଗଲା ନେଇଗଲା

ମୁଣ୍ଡ ବୁଲାଇ ହୋଇ ଯାଉଥିବ ଭାବିଲା ବେଳକୁ ପରା ।

ଶହେଟଙ୍କିଆ ଦଶଟା ନୋଟ୍‌ଦିଶେ କେତେ ଚକ୍‌ଚକ୍‌

କିଏ ସେ କହିଲା ଚାକିରୀଟା ହେବ, ଟେବୁଲ ଉପରେ ରଖ ।

ରଖିଲି ରଖିଲି ଟେବୁଲ ଉପରେ, କହି ଚାଲିଥିବ ସିଏ

ହାୟ ମୋ ଟଙ୍କା ଆଉ ମିଳିବନି ? କହୁନ କାହିଁକି କିଏ ?

 

(୭)

ହଜାରେ ଟଙ୍କା ନେଲାବେଳେ ତୁମ ହାତ ଉଠିଲାନି ଥରି ?

କେଉଁ ପଲ୍ଲୀର ଦୁଃଖୀଟିଏ ସେ ଆଣିଥିବ କେଉଁଭଳି ।

ହଜାରେ ଟଙ୍କା ହଜାରେ ଟଙ୍କା ହଜାରେ ଟଙ୍କା ତାର

ମହାପୃଥିବୀର ସବୁ ରାଜକୋଷ ତାହା ପାଖେ କେତେ

ଦୀନ ଦୁର୍ବଳ ଛାର !

ସେ ତ ନୁହେଁ କେବେ ଜାଲ୍‌ ଜୁଆଚୋରୀ ଅବା ତୋଟିଚିପା ଧନ

ତା’ ବୁକୁ ଶୋଣିତ ପ୍ରତିବିନ୍ଦୁର ସେ ଯେ ମହା ଅରଜନ ।

 

 

 

ଟିକିଏ ଉଠିବି ହସି

ଦୂରେ ରହ ଦୂରେ ରହ ହେ ଯନ୍ତ୍ରଣା ଜାଳା

ପୋଛିହୋଇଯାଅ ମନୁ ଯେତେ ଯେତେ ଭାରା-

ରହିଚ ଏ ଦେହ ମନ ପତି ରନ୍ଧ୍ର ଭରି

ଏଇ ନୀଳ ପ୍ରକୃତିରେ ଉଠିବି ସଂଚରି ।

 

ଦୂରେ ରହ ଦୂରେ ରହ ଆଶଙ୍କା ଓ ଭୟ

କରନା କରନା ମତେ ଆକୁଳ ଅଥୟ

ବିକ୍ଷତା ହରିଣୀ ପରି, ଯାଅ ସବୁ ନିଭି

ଏ ଖୋଲା ଆକାଶ ତଳେ ହେଲେ ବୁଲୁଥିବି ।

 

ଦୂରେ ରହ ଦୂରେ ରହ ବାଧା ଅନ୍ତରାୟ

ପଛକୁ ନିଅନା ଭିଡ଼ି, ହାହତାଶ ପ୍ରାୟ-

ରୁଦ୍ଧ ଯହିଁ ଏ ଜୀବନ ! ନୀଳ ଦିଗ୍‌ବଳୟ-

ଘନ ବନତଳେ ଖୋଜେ ଟିକିଏ ଆଶ୍ରୟ ।

ଦୁରେ ରହ ଦୂରେ ରହ ସବୁ ଦୂରେ ରହ

ଟିକିଏ ଉଠିବି ହସି ଏଇ ନୀଳ ପ୍ରକୃତିର ସହ ।

 

 

 

ସେ ଆଜି ଭିନ୍ନ ଜଣେ

ତୁମେ ଦେଖୁଥିଲ ତୁମରି ହୋଇ ସେ ରହିଛି ସେ’ଦିନ ପରି

ତୁମେ ଦେଖୁଥିଲ ତୁମରେ ସେ କଥା କହିବ ପରାଣ ଭରି

ତୁମେ ଦେଖୁଥିଲ ମହା ଧରଣୀରେ ସେ ତୁମ ଗୋଟିକ ଯାକ

ମଧୁ ସମ୍ପଦ ସେ ଦେଇପାରିବ ଗଲେ ଟିକେ ତାହା ପାଖ

ତୁମେ ଦେଖୁଥିଲ ତାର ଦେହମନ ତା’ ଶୋଣିତ ଧାରେ ଧାରେ

ତୁମେ ରହିଅଛ ଏକାନ୍ତ ହୋଇ ଛିନ୍ନ ହୋଇନ ବାରେ

କିନ୍ତୁ ଦେଖୁଚ ତମେ

ତୁମର ଦୁଃଖ ତୁମର ବେଦନା ଚରଣେ ଆଡ଼େଇ ଦେଇ

ଚାଲିଚି ସେ ଆଜି ସମ୍ରାଟ ପରି

ତୁମରେ ଦେଖୁଚି ପୋକମାଛି ପରି ସେ କେଉଁ ରାସ୍ତା-କଣେ

ସେ ଆଜି ଭିନ୍ନ-ଜଣେ ।

ସେ’ ଦିନର ସେଇ ପାଲଟି ଉଠିଚି ଗୋଟାଏ ବା ଜାନୁଆର

ପାଷାଣ ପାଷାଣ କଠୋର ପାଷାଣ ପାଷାଣ ସେ ଏକ ବାର

କୋଟି ମରମର ଜାଳା ଯନ୍ତ୍ରଣା ଚାଲିଚି ଚକଟି ଦଳି

ତା’ କଲମଗାରେ ମୁଣ୍ଡ କାଟିବ କହିଲେ ପଦିଏ

କିଏ ପ୍ରତିବାଦ କରି

ସେ ହସ ତାହାର ଓଠ ତଳେ ନାଇଁ କଣ୍ଠତଳେ ତା

ନାଇଁ ସେ ମଧୁର ବାଣୀ

ବୁକୁତଳେ ନାଇଁ ସେନେହ ସେନେହ ବିଶାଳ ସେନେହ

ସେ କେଉଁ ପାତାଳେ ହୋଇଚି ଅସ୍ତଗାମୀ

ରହିଚି କେବଳ ବିଶାଳ ଦାମ୍ଭିକତା

ପାଦତଳେ ଯାର ସଭିଏ ଚାଲିବେ ନତ କରି ନିଜ ମଥା

ଦେଖୁଚି ଆକାଶ ଦେଖୁଚି ଏ ମାଟି ପ୍ରତିଦିନ ପ୍ରତିକ୍ଷଣେ

ସେ ଆଜି ଭିନ୍ନ ଜଣେ ।

 

ତୁମେ ନୁହ ତା’ର ପ୍ରିୟ ଆପଣାର ତୁମେ ନୁହ ତାର ସାଥି

ତୁମରେ ଦେଖିଲେ ଗରଗର ହୁଏ ତାର ସଇତାନୀ ଛାତି,

ତୁମେ ଗଲେ ତାର କୁଟୀର ଦୁଆରେ ବସିବାକୁ କହେ କିହେ ?

ମାମୁଲି କେତେଟା ପଦ କଥା କହି ତୁମରେ ଆଡ଼େଇ ଦିଏ

କିମିତି ରହିଚ ? ରହ ଏଠି ଆଜି, ବହୁଦିନ ପରେ

ଦେଖା ଆଜି ତୁମ ସହ-

ବୋଲିବାକୁ ତାର ଅନ୍ତର ତଳେ ଜାଗେ ନାଇଁ ଆଗ୍ରହ

ପ୍ରାଣର ସେ ଯେଉଁ ମଧୁ ବନ୍ଧନ ଆଉ ପଡ଼େନାଇଁ ମନେ

କ୍ଷମତା ଧନ ଓ ଖୋଷାମଦ ଘେନି ଜୀବନ ଯାହାର ଗଢ଼ା-

ସେ ନୁହେ ତୁମର, ସେ ନୁହେ ମୋହର,

ସେ ନୁହେ କାହାର ଜଣେ,

ଦୁଃଖ କରୁଚ ନୟନୁ ବରଜି ଅଶ୍ରୁ ଏ ପଥ ଧାରେ

ଜୀବନେ ଯାହାରେ ଏଡ଼େ ବଡ଼ କରି

ଦେଖୁଥିଲ ଦିନେ

ସେ ତୁମରେ ଆଜି ଗାର କରି ଲବେ

ଥୋଉ ନାଇଁ ବସୁଧାରେ

ତୁମରେ ଆଜି ସେ କହିଯାଏ କଥା ଇତର ଜନ ପରି

ତୁମ ସହ ତାର ନାଇଁ ପରିଚୟ

ସତେ ଅବା କେତେ ଜନମ ଜନମ ଧରି

ଅନ୍ତରଛୁଆଁ କଥା ପଦେ ତାର ଓଠରୁ ଶୁଣିବା ଲାଗି

ଆସିଥିଲ ତୁମେ ଫେରିଯାଉଅଛ

ଅନ୍ତର ତଳେ କେତେ କୋହ ଉଠେ ଜାଗି ।

ତା’ କଥା ପଡ଼ିଲେ ମନେ

ଏଇ ବନ ବିଲ ଏ ଗଛ ପତରେ ଚାହିଁ

କହୁଅଛ ନିକି

ସେ ଆଜି ଭିନ୍ନ ଜଣେ !

 

ଦୂରେ ପାଖେ ତାରେ ଦେଖିଲେ ତୁମର ପାଦ ପଡ଼େନାଇଁ ତଳେ

ଉଦ୍‌ବେଳି ଉଠେ ଅନ୍ତର ତବ ଅସୀମ ସେନେହ ଭରେ

ଶୁଣିଲେ ତାହାର ଗଉରବ ଗାଥା ନୟନ ଯୁଗଳୁ

ପୁଲକ ଅଶ୍ରୁ ଝରିପଡ଼େ ଝରିପଡ଼େ

ବିରାଟୁ ବିରାଟ ହୋଇଥାଅ ବାବୁ !

କେତେ ତ କହିଚ ଏଇ ରାଜପଥ ପରେ,

 

ଯଶ ଗଉରବ ସମ୍ମାନ ତାର ବଢ଼ିଉଠିବାର ଲାଗି

ତୁମରି ମରମେ ଗଭୀର ବାସନା ତା’ପାଇଁ ଉଠିଚି ଜାଗି

ତା’ ଚାଳି ଚାହାଣୀ ତାର ଓଠ ବାଣୀ

ତୁମରେ ଲାଗିଚି ଭଲ

ତୁମରି ଶୋଣିତ ପ୍ରତି ବିନ୍ଦୁରେ ସକଳ ନିୟତ

ସେ’ ଯେ ହୁଏ ଢଳ ଢଳ

ଚାନ୍ଦିନୀ ରାତେ ବୁଲିଚ ତା’ ସାଥେ ଏଇ ବିଲ ପଦା ଭୂଇଁ

କହିଚି କହିଚ ରସନା ମୁକ୍ତ କରି

ତୋରେ ଚାହୁଁଥିଲେ ମନେ ତୁ କରେନା

ହତଭାଗା ଜଣେ ମୁହିଁ !

ଏଡ଼େ ଅନ୍ତର ଦିଆ ନିଆ ଯେଉଁଠାରେ

ମରୁ ମରୀଚିକା

ଆଖିର ପଲକେ କେବେ ସମ୍ଭବିପାରେ ?

 

ଅଛି ସେଇ ନଈ ଅଛି ସେ ପାହାଡ଼

ଅଛି ସେଇ ବନଭୂମି

ଅଛି ସେ ଚିଲିକା ନୀଳ ଢେଉ ଖେଳି

ଯାଏ ବେଳ ଭୂଇଁ ଚୁମି

ଅଛି ସେ ସଉଧ ସେଇ ବାତାୟନ

ଅଛି ସେଇ ରାଜପଥ

ପ୍ରତିଦିନ ପରି ଚାଲିଛି ସେପରି

ଯାତ୍ରୀର ଗତାଗତ

 

ଏସବୁ ଭିତରେ ତୁମେ ଚାଲିଅଛ ମନ ଗୋଟି ମାରିଦେଇ

ଆଘାତ ଆଘାତ ଗଭୀର ଆଘାତ ଦେଇଚି ସେ ଜଣେ କେହି

ଜିଭ ଲେଉଟେନି କହିଦେବା ପାଇଁ

ସକଳରେ ଚାହିଁ ଭାଳୁଅଛ ମନେ ମନେ

ନଜର ତଳକୁ ଆଣିଲାନି ସିଏ

ଏତେ ଆପଣାର କରିଥିଲି ଯାରେ ଦିନେ ।

ଓଠ ଥରିଉଠେ, ସେଇ ଥର ଥର ଓଠେ

କେତେ କହିଉଠି ତମେ ହାୟ,

ସେ ଆଜି ଭିନ୍ନ ଜଣେ !

 

ଆଉ ମୁଠେ

କାହା ଘର ଲକ୍ଷ୍ମୀ ସିଏ

କେତେ ସୁଖ ସନମାନେ ରହିଥାନ୍ତା

ତା’ କୁଟୀର ପୁରେ,

ଅଣ୍ଟିପାତି ମାଗୁଥାନ୍ତା ଚାଉଳ ମୁଠିଏ

ସାତ ଭିକାରୁଣୀ ପରି

ଆସି ଏତେ ଦୂରେ ?

 

କାଖରେ ତା’ ଛୁଆଟିଏ ଚମର ବୁଜୁଳି ପରି

ଜୁଳୁ ଜୁଳୁ ରହିଥିବ ଚାହିଁ

ସକାଳୁ ପେଟରେ ପଡ଼ି ନ ଥିବ ତୋରାଣି ଟୋପେ,

କିଭଳି ସେ ଚାଲିଥିବ ହାଇ !

କେତେ ଲକସ୍ତକ ହୋଇ ମାଗିଥିବ ଆଉ ମୁଠେ,

ଦେଲ ନାହିଁ ତାରେ ?

ଜୀବନେ ପ୍ରଥମ କରି

ପଦାକୁ ସେ ଆସିଥିବ-

ମାଗିବାକୁ, ମାଗି ନାଇଁ ଜାଣେ;

ମାଟି ଝାଟି କୁଟୀରେ ତା’

ପରାଣ ସଂଖାଳି କେତେଟି ରହିଥିବେ ଚାହିଁ,

ସେମାନଙ୍କୁ ଢୋକେ ଦେବ

ଆଉ ମୁଠେ ନେଇଥିଲେ

ଆଉ ଢୋକେ ପାରିଥାନ୍ତା ଦେଇ !

 

ପଡ଼ି ଉଠି ଆସିଥିବ ସେ କେତେ ଯୋଜନ ବାଟ

ଲଂଘି କେତେ ବିଲ ବନ ଗାଆଁ

ଚାଉଳ ମୁଠିକ ଲାଗି;

ମୁଠିଏ ବାନ୍ଧିଚି କାନିରେ

ଆଉ ମୁଠେ ମାଗିଥିଲା

ନେଇଥାନ୍ତା ଯାହା-

ତାରେ ମନାକରିଦେଲ !

ପାରିଲନି ଲବେ ହେଲେ

ତା’ ଅନ୍ତର ଜାଣି !

କେତେ ମାନହୀନ ଲାଗିଥିବ !

ସେ ତ ନୁହେଁ

ପଥ କାଙ୍ଗାଳୁଣୀ

ହୋଇଥିବ କା’ କୁଟୀର-ରାଣୀ !

 

ତୁମେ ତାରେ ପାରିଥାନ୍ତ ଦେଖି ?

ଘରୁ କେବେ ଗୋଡ଼ କାଢ଼ି ଆସନ୍ତା ବାହାରି ?

ତୁଣ୍ଡ ଫେଇ ମାଗିଥାନ୍ତା ସିଏ

ଲାଜ ମହତରେ ସବୁ

ନିର୍ବିଚାରେ ଛାଡ଼ି

ବିବର୍ଣ୍ଣ ମଳିନ ବେଶେ

ସାତସିଆଁ କନା ଖଣ୍ଡେ ପିନ୍ଧି

ତୁମ ପାଖେ ହୋଇଥାନ୍ତା ଠିଆ ?

କାହାଘର କୁଳବାଳା

ଆଉ ମୁଠେ

ଦେଲ ନାଇଁ ତାରେ

କେତେ ନିର୍ଯାତନେ

ଫାଟି ଯାଉଥିବ ହିଆ !

 

ଆଉ ସେ ଆସିବ କାଲି ?

ମାଡ଼ିବ ସେ ଆଉ

ଏଇ ଭୂଇଁ ?

ନା ।

ଆସିବନି ଆସିବନି ଆଉ

ସିଏ ଆଉ ତାର ଟିକି ଟିକି ପିଲେ

କେତେ ଛଟପଟ ହେଉଥିବେ

ସାମାନ୍ୟ ଜାଉ ପେଜ

ତୋରାଣି

ଟୋପିକ ପାଇଁ ।

ଆଉ ମୁଠେ

ପାରିଲନି ଦେଇ !

ହାତ ପଛେ ଲୁହ ପୋଛି

ଫେରିଥିବ କେଉଁ ଦୂର ଘର

କାହାଘର ଝିଅ ବୋହୂ ସିଏ

ଗୋଡ଼ ଭାଙ୍ଗି, ଅଣ୍ଟିପାତି

ଆଉଥରେ ମାଗୁଥିଲା ବେଳେ

କି ନିଠୁରେ ମନା ତମେ କରିଦେଲ କିଏ !

ଲାଗିଥିବ ମୁଣ୍ଡ ତାର କଟିଗଲା ପରି !

ଜୀଇଁ କିମ୍ପା ରହିଚି ନ ମରି

ଆଉ ମୁଠେ ଦେଇଥିଲେ

ସେଇ ମୁଠିକରେ ସହସ୍ର ମୁଠାର ସ୍ୱପ୍ନ

ଦେଖିଥାନ୍ତା ସେଇ ।

ଆଉ ମୁଠେ

ପାରିଲନି ଦେଇ ?

 

କେଉଁ ପ୍ରାଣହୀନ ମୁଣ୍ଡାଡିହ ଭରା-

ପଲ୍ଲୀ ପଙ୍କାଳର

ଘରକଲା ଗୃହିଣୀ ଗୋଟିଏ

ହୋଇଥିବ ସିଏ !

ବର ତାର ଯାଇଥିବ ରେଙ୍ଗୁନ ଆସାମ,

କରିବାକୁ ମାଟିକାମ,

ଖୁଦ କି ମଳୁଖ ଯୋଡ଼େ

ନାଇଁ ଥିବ ପିଲାଙ୍କୁ ଦେବାକୁ କଳେ,

କେତେ କଲବଲେ

ପଥଶ୍ରମ କରି ଆସିଥିବ

ଦେଲ ତାରେ ତଡ଼ି ।

 

କାଲିକି ଆସିବା ପାଇଁ କହିଚ ?

ନା, ନ ଥିବ ତ କହି !

ଦେଖିଚ ତା’ ଶୀର୍ଣ୍ଣ ଆଖି ତଳୁ

ତାତିଲା ଲୁହ ଆସିବାର ବୋହି-

ନ ଥିବ ତ ଦେଖି !

ଦୁଃଖର ଅକଳ ସମୁଦ୍ର ଭିତରେ

ଉବେଇ ଟୁବେଇ ହେଉଥିବ ସିଏ

ସାହାହୀନ ହୋଇ,

ତୁମେ ଦେଖି ପାରିଲ ତ ନାଇଁ !

ଦିନ ଯାଇ ଆସୁଥିବ ରାତି

ତା’ ନିଃସ୍ୱ କୁଟୀର କଣେ

ତା’ ଆଖିରୁ

ଶତ ବିନ୍ଦୁ ଲୁହ ଯାଉଥିବ ବହି

ଆଉ ମୁଠେ ଆଉ ମୁଠେ ପାରିଲିନି ଦେଇ !

 

ଆଜିକି ପ୍ରାୟ ଅର୍ଦ୍ଧ ଶତାବ୍ଦୀ ତଳେ ପୁରୀ ଜିଲ୍ଲା ଗୋପ ଅଞ୍ଚଳରେ ଦୁର୍ଭିକ୍ଷ ପଡ଼ିଥିଲା; ଦୁର୍ଭିକ୍ଷପୀଡ଼ିତ ଲୋକଙ୍କୁ ଚାଉଳ ବଣ୍ଟା ଯାଉଥିଲା । ଏକ ଚାଉଳ ବଣ୍ଟାଯିବା କେନ୍ଦ୍ରକୁ ଗୋଟିଏ ସ୍ତ୍ରୀଲୋକ ଆସି ଥରେ ଚାଉଳ ନେଇସାରି ଆଉ ଥରେ ନେବାକୁ କାନି ପାତିବାରୁ, ଚାଉଳ ବାଣ୍ଟୁଥିବା କର୍ମୀ ଜଣକ ତାକୁ ଆଉ ଚାଉଳ ଦେବାକୁ ମନାକରିଦେଲେ ଏବଂ ନିରାଶ୍ରୟା ସ୍ତ୍ରୀଲୋକଟି ବ୍ୟଥିତ ହୋଇ ଚାଲିଗଲା । ଏକଥା ଗୋପବନ୍ଧୁଙ୍କ କାନକୁ ଆସିବାରୁ ସେ ଦୁଃଖରେ ବିଚଳିତ ହୋଇପଡ଼ିଲେ । ଏ ଘଟଣା ଉପରେ କବିତାଟି ରୂପାୟିତ ।

 

ଏଇ ମୋର ଏକମାତ୍ର ଦାନ

ଯବାନ କରୁଚି ଯୁଦ୍ଧ ଦେଶ ଲାଗି ପଞ୍ଚନଦ ଧାରେ

ମୁଣ୍ଡକୁ ଛଡ଼ାଇ ପାଣି, ଯିଏ ଆଜି ଅଛ ଯେଉଁଠାରେ

ଧନୀ ମାନୀ ଦୀନ ନିଃସ୍ୱ ଶେଠ ବା ମହନ୍ତ ସାରା ଭାରତର

ଯୁଦ୍ଧକୁ ସାହାଯ୍ୟ ଦିଅ ନୋହି ତିଳେ କୁଣ୍ଠିତ କାତର

ଊଣା ହେଉ, ହେଉ ବା ଅଧିକ ସେଇଥିରେ

କିବା ଆସେ ଯାଏ

ଦେଶର ସେ ପରମ ସମ୍ବଳ ହେଉ ପଛେ ନୂଆ ପଇସାଏ ।

 

କେ କାରେ କରୁନି ବାଧ୍ୟ, ବାଧ୍ୟତାର ପ୍ରଶ୍ନ ନାଇଁ ଉଠେ

ଚତୁର୍ଦ୍ଦିଗୁ ପଡ଼ୁଅଛି ଡାକ ଦେଶର ଏ ଭୀଷଣ ସଂକଟେ ।

କିଏ ଦେଲା ପାକେଟ ପାକେଟ ସିଗାରେଟ୍‌ ହବନାଇଁ ଗଣି

କିଏ ଦେଲା ଲୁଗା ଓ କମ୍ବଳ କେଉଁ ଶେଠ ମହାଜନ ଧନୀ

ଟଙ୍କା ସୁନା କିଏ ପଠାଇଲା କେ ବଣିକ କେ’ ବା ଚାକିରିଆ

ଲକ୍ଷ ଲକ୍ଷ ଟଙ୍କାର ଯେ ଚେକ୍‌ମନ୍ତ୍ରୀହାତେ କାହିଁ ହେଲା ଦିଆ !

 

ବସିଲା କେଉଁଠି ସଭା, ଗାଆଁ ଗାଆଁ କିଏ ଗଲେ ବୁଲି

ସବୁଠି ଯୁଦ୍ଧର ଲାଗି ମିଳିଲା ଅମାପ ଟଙ୍କା ନୋଟ ବିଡ଼ା ହବନାଇଁ ଭୁଲି;

ଯୁଦ୍ଧ ଚାନ୍ଦା ହେଉଚି ଆଦାୟ ଆନନ୍ଦ ଓ ଆଗ୍ରହର ସହ

ଆକୁମାରୀ ହିମାଳୟ ଦେଶବାସୀ ଚଞ୍ଚଳ ଅଥୟ

ବଞ୍ଚିରହୁ ଆମ ଦେଶ ମାଟି, ଧନ ଯାଉ, ପ୍ରାଣ ପଛେ ଯାଉ

ଦେଶ ଯେବେ ଶେଷ ହୋଇଯାଏ ଗଉରବେ କିବା ଅଛି ଆଉ ?

 

ଏ ସକଳ ଭିତରେ କିଏ ସେ ପଥଚାରୀ ଦରିଦ୍ର କାଙ୍ଗାଳ

ଦେଶରକ୍ଷା ଲାଗି କିସ ଦେବ, ବୁକୁ ତାର ଅସମ୍ଭାଳ

ଦେଖିଲା ନିଜକୁ ସିଏ, ଦେଖିଗଲା ନିଜ ନିଃସ୍ୱ ଚାଲି,

କିଛି ନାଇଁ କି ସଂପଦ ଦେବ ? ନେତ୍ରେ ଲୁହ ଉଠିଲାକ ଢଳି ।

ସଭିଏଁ ତ ଦେଲେ କିଛି କିଛି ଆପଣାର ଭାଗ୍ୟ ଅନୁକ୍ରମେ

ମୁହିଁ କିଛି ପାରିବିନି ଦେଇ ହତଭାଗା ମୁଁ କି ଏଡ଼େ ଜଣେ ?

 

ମୋ ଦେଶର ମାଟି ପାଣି ମୋରେ ଯେବେ ରଖିଚି ବଞ୍ଚାଇ

ମୋ ଦେଶର ଏ ମହା ସଂକଟ ତିଳେ ନାଇଁ ପାରିବି ଘୁଞ୍ଚାଇ ?

ମୋର ଏଥି ବଞ୍ଚିରହିବାର କି ଆନନ୍ଦ ଗଉରବ ଶିରୀ

ମୋ ମାଟିର ବିଜୟ ପତାକା ଫର ଫର ଉଡ଼ିବନି ଯେବେ

ଆକାଶର ନୀଳ ବୁକୁ ଚିରି ।

 

ରାସ୍ତା ଘାଟେ ଠିଆହୋଇ ସେହୁ ଦେଲା ଦିନେ ଡାକ

ନେଇଯାଅ ନେଇଯାଅ ଖୋଳି ଆଖି ମୋର ଏ ଯୋଡ଼ିକ ଯାକ

ସୀମାନ୍ତର ରଣ ଭୂଇଁ ତଳୁ ଅନ୍ଧ ହୋଇ ଫେରିଥିବ ଯେ ବୀର ଯବାନ

ତା ଆଖିରେ ଏ ମୋ ଆଖି ଦେବ ହେ ଲଗାଇ

ଏ ମୋ ଅନୁରୋଧ, ଏଇ ମୋର ଏକମାତ୍ର ଦାନ ।

ମୋ ଆଖି ଲଗାଇ ଯେବେ ମୋ ଦେଶ ଯବାନ

ଶତ୍ରୁଟିଏ ମାରିଦେଇ ପାରେ

ମୋ ଆଖି ଲଗାଇ ଯେବେ ମୋ ଦେଶ ଯବାନ

ସିଂହର ବିକ୍ରମେ ଯୁଦ୍ଧକୁ ବାହାରେ

ସେଇ ମୋ ପରମ ଭାଗ୍ୟ । ଦେଶମାଟି ଲାଗି ହାୟ

କିବା ଦେବି ? ନିଅ ମୋର ଏ ଦୁଇଟି ଆଖି

କୋଟି କୋଟି ଆଖି ମୋ ଦେଶର ବଞ୍ଚି ରହୁ ନୋହି ନିଃସହାୟ ।

 

ଅଜଣା ମୁହିଁ ଅଜଣା ତମେ

ମାଟିର କେଉଁ ଅଜଣା କଣେ ତୁମରି ଘର ଜାଣିନି ମୁହିଁ

କିପରି ତୁମେ ନିଃସ୍ୱ ଏଇ କବିର ବୁକୁ ପାରିଲ ଛୁଇଁ ?

ଅଜଣା ମୁହିଁ ଅଜଣା ତବ

ବିକ୍ଷଚିରି କି ମଧୁ ଦବ ?

କଳ୍ପନା ମୁଁ କରିନି, ଗଲ ମୋ ପାଇଁ ରଚି ସ୍ୱର୍ଗଭୂଇଁ

ମାଟିର କେଉଁ ଅଜଣା କଣେ ତୁମରି ଘର ଜାଣିନି ମୁହିଁ ।

 

କିଏ ସେ ତମେ କେଉଁଠୁ ଆସି କୁଆଡ଼େ ଗଲ ନିମେଷ ପରେ

କି ସମ୍ପଦ ଦେଇ ଯେ ଗଲ ରହିଚି ଲେଖା ବକ୍ଷ-ତଳେ ।

ନିଃସ୍ୱ ମୋର କୁଟୀର ଭରି

ରହିଚ ତମେ ମତେ ବା ଧରି

ନିଜକୁ କେଡ଼େ ଭାଗ୍ୟବାନ ସୃଷ୍ଟି ତଳେ ମୁଁ ମନେକରେ

କିଏ ସେ ତମେ କେଉଁଠୁ ଆସି କୁଆଡ଼େ ଗଲ ନିମେଷ ପରେ ।

 

ଲାଞ୍ଛିତ ମୁଁ, ବଞ୍ଚିତ ମୁଁ, କିଞ୍ଚିତ ମୁଁ କାହାର ନୁହେଁ

ଆର୍ଦ୍ର ମୋର ନୟନ ଦୁଇ ଦୁଃଖ ଭରା ତପ୍ତ ଲୁହେ ।

ଖୋଜେନା ମତେ ଜାଣେନା ମତେ

କିଏ ସେ, ମୋର ଯାତ୍ରା ପଥେ-

ଚାଲିଚି ମୋର ଡଙ୍ଗା ମେଲି ଜାଣେନା କେଉଁ ସୁଦୂର ସୁଏ

ଲାଞ୍ଛିତ ମୁଁ, ବଞ୍ଚିତ ମୁଁ, କିଞ୍ଚିତ ମୁଁ କାହାର ନୁହେଁ ।

 

ଜୀବନେ ଯାହା ପାଇନି ମୁହିଁ ପାଇବା ପାଇଁ ଆତୁର ଅତି

କରିଚି କେତେ ଅନ୍ୱେଷଣ, ଜୀବନସାରା ସହିଚି କ୍ଷତି ।

ପାଇନି ମୁହିଁ, ପାଇନି ବାରେ

ରହିଚି ଚାହିଁ ଏ ପଥ ଧାରେ

ଚାହିଁବା ମୋର ଜଳୁଚି କିବା ନିଶୀଥ ନଭେ ଅରୁନ୍ଧତି

ଜୀବନେ ଯାହା ପାଇନି ମୁହିଁ ପାଇବା ପାଇଁ ଆତୁର ଅତି ।

 

କିଏ ସେ ତୁମେ ସେ କେଉଁ ଦୂରୁ କିମିତି ମତେ ଲକ୍ଷ୍ୟ କଲ ?

କିଭଳି ତମେ ଜାଣିଲ ମତେ କି ଶିରୀ ଖୋଜେ ନିରନ୍ତର ?

ପାହାଡ଼ ବନ ସାଗର ପାରେ

ସୁଦୂର କେଉଁ ସେ ପଥ ଧାରେ

କିଏ ସେ ତମେ କିମିତି ଥିଲ ମୋ ଲାଗି ହେଲ ସଚଞ୍ଚଳ

କିଏ ସେ ତମେ ସେ କେଉଁ ଦୂରୁ କିମିତି ମତେ ଲକ୍ଷ୍ୟ କଲ ?

 

ଆସିଲ ତମେ, ଆସିଲାବେଳେ ଦେଖିଲ ମତେ ରାସ୍ତା ଧାରେ

ମୁଗ୍‌ଧ ସେଇ ଚାହାଣୀ ଢାଳି କିଭଳି ମତେ ଚାହିଁଲ ବାରେ ?

ପ୍ରଥମ କରି କହିଲ ନାଇଁ-

ପଦିଏ କଥା, ରହିଲ ଚାହିଁ,

କି ନିଧି ଲାଗି ତୃଷ୍ଣା ମୋର ଜଳୁଚି ପ୍ରତି ରକ୍ତ-ଗାରେ

ଆସିଲ ତମେ, ଆସିଲା ବେଳେ ଦେଖିଲ ମତେ ରାସ୍ତା ଧାରେ ।

 

ଦେଇନି କିଏ ପାରିନି ଦେଇ, ଦେଇତ ନାଇଁ ପାରିବ ମତେ

ପାତ୍ର ମୋର ପୂର୍ଣ୍ଣ କରି, ଯେ ଶିରୀ ଖୋଜେ ମୁଁ ଅବିରତେ

ବିତିଚି କେତେ ବର୍ଷ ମାସ

ରିକ୍ତତାର ଦୀର୍ଘଶ୍ୱାସ

ପକାଇ ମୁହିଁ ଚାଲିଚି ଦିନେ, ଭେଟିବି ବୋଲି କାହାରେ ପଥେ

ଦେଇନି କିଏ ପାରିନି ଦେଇ, ଦେଇତ ନାଇଁ ପାରିବ ମତେ ।

 

ଦେଖିଲ ମତେ ପାଗଳ ପରି ଖୋଜୁଚି କିବା ରାସ୍ତା କଡ଼େ

ସମ୍ମୁଖେ ମୋ ହେଲ ଗୋ ଉଭା କିଏ ସେ ତମେ ଧରଣୀ ତଳେ ?

ସେ ପାଖେ ତମେ ଏ ପାଖେ ମୁହିଁ

‘ଆଉକେ’ ନାଇଁ ତୁମେ ମୁଁ ଦୁଇ

ପ୍ରାଣର ଏ କି ଆସ୍ୱାଦନ କେଉଁଠୁ ଆସି କିଭଳି ଝରେ ?

ଦେଖିଲ ମତେ ପାଗଳ ପରି, ଖୋଜୁଚି କିବା ରାସ୍ତାକଡ଼େ ।

 

ହସିଲ ମତେ ହସିଲ ଚାହିଁ, ସେ ମଧୁ ହସ କେଉଁଠୁ ଆସେ ?

ଇମିତି ହସ ଦେଖିନି ମୁହିଁ ଏତେ ଦିନର ଧରଣୀ-ବାସେ !

ରୋମାଞ୍ଚିଲା ଦେହ ଓ ମନ

ପାଇଚି କିବା ଅଜଣା ଧନ ?

ସବୁଜ ଶ୍ୟାମ ମୁଗ୍‌ଧ ଭୂଇଁ ପାଲଟି ଗଲି ତୁମରି ପାଶେ

ହସିଲ ମତେ ହସିଲ ଚାହିଁ, ସେ ମଧୁ ହସ କେଉଁଠୁ ଆସେ ?

 

ଥରାଇ ପ୍ରତି ରକ୍ତକଣା ଯେ କଥା ପଦି ପଡ଼ିଲା ଝରି,

ସୃଷ୍ଟିକାଳୁ ନ ଥିବ ଶୁଣି ବିଶାଳ ଏଇ ବସୁନ୍ଧରୀ ।

ପାଇଲି ମୁହିଁ, ପାଇଲି ହାୟ,

ନୁହେଁ ମୁଁ ଲବେ ନିଃସହାୟ

ପାତ୍ର ମୋର ପୂର୍ଣ୍ଣ ଆଜି, ଯାତ୍ରା ମୋର ଶୁଭଙ୍କରୀ,

ଥରାଇ ପ୍ରତି ରକ୍ତକଣା ଯେ କଥା ପଦି ପଡ଼ିଲା ଝରି ।

 

ପଦିଏ କଥା ପଦିଏ କଥା ତୁମରି ଓଠର ପଦିଏ କଥା,

ପାଇଲି ତହୁଁ ବିଶ୍ୱଭରି ପ୍ରାଣର ସବୁ ସାର୍ଥକତା ।

ଦେଇନି କିଏ ଦେଇନି ମତେ

ଯିମିତି ତୁମେ ଦେଇଚ ସତେ ।

ସୃଷ୍ଟି କେଉଁ ରନ୍ଧ୍ର ଭେଦି ଆସିଛି ଧରି କି ମାଦକତା ।

ପଦିଏ କଥା, ପଦିଏ କଥା, ତୁମରି ଓଠର ପଦିଏ କଥା ।

 

ପ୍ରାଣର ମୁଗ୍‌ଧ ଆସ୍ୱାଦନ ମରମେ ଯେବେ ଦେଇଚ ବୋଳି,

ଧରାରେ କିବା ସମ୍ପଦ ମୁଁ ପାରିବି ନାହିଁ ସରାଗେ ତୋଳି ?

କି ଅବା ଦୁଃଖ କି ଅବା ଭୟ ?

ଚତୁର୍ଦ୍ଦିଗେ ଦେଖିବି ଜୟ

ରୁଦ୍ଧ ଯାହା ବଦ୍ଧ ଯାହା ଆପେ ଆପେ ଯିବତ ଖୋଲି

ପ୍ରାଣର ମୁଗ୍‌ଧ ଆସ୍ୱାଦନ ମରମେ ଯେବେ ଦେଇଚ ବୋଳି ।

 

ଲଭିବ ନାଇଁ ଲଭିବ ନାଇଁ ଲଭିବ ନାଇଁ ସେ ମହାଗାର ।

ସ୍ପର୍ଶ ତାର ବିରାଟ ଏଡ଼େ ହ୍ରସ୍ୱ ନାଇଁ କପାଳେ ତାର,

ମୃତ୍ୟୁ ନାଇଁ ପାରିବି ଛୁଇଁ

ଦୂରେଇ ଯିବ ସୁଦୂର ଭୁଇଁ,

ସେଇ ଯେ ମୋର ପ୍ରାଣର ଧନ କେତେ ଜନ୍ମ ଆକାଂକ୍ଷାର

ଲିଭିବ ନାଇଁ ଲିଭିବ ନାଇଁ ଲିଭିବ ନାଇଁ ସେ ମହାଗାର ।

 

ଅଜଣା ତମେ ଅଜଣା ମୁହିଁ ସେ କେଉଁ ଦୂର ଅଜଣା ଦେଶେ

ରହିଚ ତମେ ରହିଚି ମୁହିଁ, ଅମୃତରେ କି ଉଦ୍ଦେଶେ ?

ଅଶ୍ରୁ ହାସ ଦୁଃଖ ତଳେ

ବଂଶୀ ବାଜେ ମଧୁର ସ୍ୱରେ

ଶୁଣୁଚ ତମେ ଶୁଣୁଚି ମୁହିଁ ପରାଣ ପୂର୍ଣ୍ଣ-ଆଶ୍ଳେଷେ,

ଅଜଣା ତମେ ଅଜଣା ମୁହିଁ ସେ କେଉଁ ଦୂର ଅଜଣା ଦେଶେ ।

 

ଦୂରେ ରହ

(୧)

ରାଜାର ଆତିଥ୍ୟ ପାଇ,

ରାଜାର ସମ୍ମାନ ପାଇ

ରାଜାର ପ୍ରାସାଦେ ରହି

ଫେରିଲି ମୁଁ ଅବଶେଷେ

ରାଜାର ସେ ବିରାଟ ନବରୁ,

ମୋର କିନ୍ତୁ ମନେହେଲା

କେତେ ଯୁଗାନ୍ତର ଧରି

ମୁହିଁ କାହିଁ ଥିଲି ଅବା

ଫେରିଚି ଫେରିଚି ଆଜି

ସତେ ଯେହ୍ନେ

କେଉଁ ଗଭୀର କବରୁ !

 

(୨)

ସବୁ ମୁଁ ତ ପାଇଥିଲି, ଅଭାବ ବା ଅସତ୍‌ଭାବ କିଛି ତ ନଥିଲା

ତଥାପି ଏ ବୁକୁ ତଳ ମରୁ-ସଇକତ ପରି ଲାଗୁଥିଲା ନୀରବ ନିର୍ଜୀବ,

ରାଜା ରାଜପୁତ୍ର ରାଜଜେମା ରାଜବଧୂ ସଭିଙ୍କି ଦେଖିଲି ମୁହିଁ

ସଭିଏଁ ଦେଖିଲେ ମତେ, କିନ୍ତୁ ଗୋଟେ ବ୍ୟବଧାନ କଲି ଅନୁଭବ ।

ସେଇ ବ୍ୟବଧାନ ରେଖା ଲେଖି ହୋଇଗଲା ଏତେ ମୋର ବୁକୁତଳେ,

ସକଳ ମୁହୂର୍ତ୍ତ ମତେ ବିଷାକ୍ତ ଲାଗିଲା ଖାଲି,

ଶ୍ୱାସରୁଦ୍ଧ ହୋଇ ମୁହିଁ

ପାରିଲିନି ରହି ସେଇ ରାଜସ-ଗହ୍ୱରେ ।

 

(୩)

ଫେରି ମୁଁ ଆସିଲି ମୁକ୍ତ ପୃଥିବୀରେ

ଯେଉଁଠାରେ ମୋର ଶୋଣିତର

କେତୋଟି ଅନ୍ତର ମତେ ସରାଗେ ପାଛୋଟିନେଲେ

ବୁକୁ ତଳୁ ବାଢ଼ି କିବା ଅନନ୍ତ ଆଦର ।

ମୋ ତୁଲେ ବୁଲିଲେ ସିଏ ବିଲ ବନ ପାହାଡ଼ ପ୍ରାନ୍ତର

ରାଜପଥ ବିପଣୀ ବିଥିକା,

ମୋରେ ସେ କହିଲେ କଥା ଓଠ ଫେଇ ହୃଦ ଫେଇ

ଆପଣା କୁଟୀରେ ମତେ ଡାକିନେଲେ

କୁହାକୁହି ହେଲୁ କେତେ ସୁଖ ଦୁଃଖ ପରାଣ ଗୀତିକା ।

ଆଶ୍ୱାସ ଲାଗିଲା ମତେ

ସତେ ଅବା ତୃଷ୍ଣା ମୋର ତୃପ୍ତି ଅଛି ପାଇ,

ମୋରେ କେ ମୋହରି ପରି କରୁଅଛି ଅନୁଭବ

ମୋରେ କେ ଜାଣିଚି କାରେ ପାରିଚି ମୁଁ ଜାଣି ।

ସେଇ ମୋର ପ୍ରାଣର ଆଶ୍ରୟ, ସେଇ ମୋର ସବୁ

ଦୂରେ ରହ ରାଜାର ନବର ଦୂରେ ରହ ଦୂରେ ରହ

ରାଜା ରାଜବଧୂ ରାଜଜେମା

ଆଉ ରାଜରାଣୀ ।

 

ଯେ ଆଖି ଫିଟିଲେ

ଚାରିଆଡ଼େ କୋଠାବାଡ଼ ଚାରିଆଡ଼େ ରାଜପଥ

ମନ୍ତ୍ରୀ ଚାଲେ, ଯନ୍ତ୍ରୀ ଚାଲେ ଚଳାଇ ବାଷ୍ପୀୟ ରଥ

ଦୋକାନ ବଜାର ହାଟ ଲାଗିଅଛି ବିକା କିଣା

ବାବୁମାନେ ହୋଟେଲରେ ଖାଉଛନ୍ତି ବସି ଖାନା

ମାଂସ ଝୋଳ ମାଛ ଝୋଳ ବରାତ ଆସୁଚି କାହୁଁ

ପୂଝାରୀ ପରଶିବାରେ ତରନାଇଁ ଆସୁ ଯାଉ ।

 

ହାତରେ ଭ୍ୟାନିଟି ବ୍ୟାଗ, ଦେହେ ନାଇଲନ ଶାଢ଼ୀ

ଆଖିରେ ଚଷମା ଆଉ ଚରଣେ ଚପଲ ମାଡ଼ି

ଚାଲିଚନ୍ତି ଉଦ୍‌ଗତ ଯୌବନା କେତେ ଯେ କନକଦେହୀ

ଯୌବନର ଗର୍ବପରି କୃଷ୍ଣବେଣୀ ଦୋହଲାଇ ।

ଏ ମଧୁ ସମ୍ପଦଟିକ ଚାହିଁ ଚାହିଁ ଚାହିଁ ଚାହିଁ

କିଏ ସେ କେଉଁଠି ବସି କେତେ ତୃପ୍ତି ପାଏ ନାଇଁ !

 

ସମ୍ମୁଖେ ଏ ରାସ୍ତା ଧାରେ ନ ଖାଇ ନ ପିଇ ଜଣେ

ପଡ଼ିଚି ପ୍ରସ୍ତର ପରି କେ ତାରେ ଚାହେନି କ୍ଷଣେ

ପାରୁନି ସେ ଉଠିବସି ପାରୁନି ସେ କହି କଥା

ଅନ୍ନ ବିନେ ଦେହେ ମନେ କି ବିଶାଳ ଦୁର୍ବଳତା

ଘର ତୋର କେତେ ଦୂରେ ସେ କେଉଁ ସୁନ୍ଦରଗଡ଼

ତା’ କଥା ବୁଝିବ କିଏ ମୁଖେ ଦେଇ ଅନ୍ନ ଜଳ ।

 

ପାଖକେ ତା’ ବୁଜୁଳୀଟି, ଭଙ୍ଗା ଟିଣ ଗିନାଟିଏ

ଆରପାଖେ, ଯହିଁରେ ସେ ବାଟେ ଘାଟେ ପାଣିପିଏ

ବାଡ଼ିଟି ତା’ ମୁଣ୍ଡ ପାଖେ ବାଟର ଏକାନ୍ତ ସାଥି

ଏ ଟିକ ସମ୍ପଦ ଧରି ବୁଲୁଚି ସେ ଦିନରାତି

ମାଗି ଯାଚି ଶମିବାକୁ ଦୁଃସହ ଉଦର ଜାଳା

ଆଜି ସେ ପାରୁନି ଉଠି ବେଳୁ ବେଳ ବଢ଼େ ଭରା ।

 

ନିରାଶ୍ରୟ ଅସହାୟ ରୁଗ୍‌ଣ ପଙ୍ଗୁ ପଦାନତ

ଦିଶନ୍ତି ସବୁରି ଚକ୍ଷ୍ୟେ କୀଟ ଓ ପତଙ୍ଗ ବତ

ଯେଉଁଠାରେ ଧନ ଜନ ଯେଉଁଠାରେ କୋଠାବାଡ଼ି

ଯା’ ଦୁଆରେ ଠିଆ ନିତି ଦି’ ପୁଞ୍ଜା ମଟରଗାଡ଼ି

ତା’ ପାଦ ଚାଟିବା ପାଇଁ ଧରଣୀର କି ଆଗ୍ରହ !

ତା’ ପାଲଟା ବୋହିବାରେ ଜୀବନ ଗୌରବମୟ ।

କୁକୁର ଅଇଁଠା ଚାଟି ଆରାମ ପାଇଲା ଭଳି

ତାର ଟିକେ ଅନୁଗ୍ରହ କି ଅମୃତ ଦିଏ ଭରି ।

ଏଇ ତ ଧରାର ଆଖି ଚତୁର୍ଦ୍ଦିଗେ ବରାବର

ଏ ଆଖି ନ ଫିଟି ବରଂ ଫୁଟିଯିବା ଶ୍ରେୟସ୍କର

ଯେ ଆଖି ଫିଟିଲେ ହାୟ ଉଦ୍‌ଭାସିବ ଚାରିଆଡ଼

ଠିଆହେବେ ଜୀବନ୍ୟାସ ପାଇ ହାଡ଼ ମାଳ ମାଳ

ଯେ ଆଖି ଫିଟିଲେ ହାୟ କିବା ବଡ଼ କିବା ସାନ

ସବୁଠିଇ ଖେଳିଯିବ ଜୀବନର ମଧୁତାନ

ଯେ ଆଖି ଫିଟିଲେ ହାୟ ଜଣକୁ ଚାହିଁଲେ ଜଣେ

ପ୍ରାଣର ଅନନ୍ତ ମାୟା ଦେବ ମଧୁ ଆଲିଙ୍ଗନେ

ଯେ ଆଖି ଫିଟିଲେ ହାୟ କା ଆଖିର ଉଷ୍ଣ ଜଳ

ପୋଛି ଦେବା ଲାଗି ହେବ ଲକ୍ଷ ହାତ ଆଗଭର ।

 

ଯେ ଆଖି ଫିଟିଲେ ହାୟ ପ୍ରତି ଗୃହ ପରିବାର

ଅନ୍ୟକୁ ଲୁଣ୍ଠନ କରି ହେବ ନାଇଁ ବଳିଆର

ଯେ ଆଖି ଫିଟିଲେ ହାୟ ଧରିତ୍ରୀର ଚାରିଆଡ଼

ଅବିଶ୍ୱାସ ସନ୍ଦେହର ହବନି ନରକ ଗାଡ଼

ସେ ଆଖି ତୁମର ନାଇଁ ସେ ଆଖି କାହାର ନାଇଁ

କି ବିଷାକ୍ତ ଆଖି ଘେନି କେ ତୁମେ ଚାଲିଚ କାହିଁ ?

 

ତୋଳିଯାଅ

ଏ ମାଟି ପଥର ଆଜି କହେ ନାଇଁ କଥା

କହେ ନାଇଁ ବନକୁଞ୍ଜ ଲତା

କାନ ପାରି ବସିଅଛ ହେ ମୋର ହତାଶ ଯାତ୍ରୀ !

ସବୁ ଶୂନ୍ୟ ମରୁ-ବିଜନତା-

କେବଳ ଦେଖୁଚ ତମେ ଦିଗଚକ୍ର ଧରି

ରହିଅଛି ରହିଅଛି ବ୍ୟାପୀ,

ଚତୁର୍ଦ୍ଦିଗ ଘୂରିଆସ ପାଗଳ ପରାଏ

ହୁଅ କେତେ ନୀରବେ ସନ୍ତାପି ।

 

ତୁମରି ପୃଥିବୀ ଇଏ ତୁମରି ଏ ପ୍ରିୟ ଜନ୍ମମାଟି

ସୁଖ ଦୁଃଖ ହସ ଖେଳ ଭରା,

ତୁମରେ ଲାଗୁଚି ରୁଦ୍ଧ କାରାଗାର ପରି

ମନେହୁଏ ତୁମରି ଏ ନୁହେ ବସୁନ୍ଧରା ।

 

ଜଳିପୋଡ଼ି ହୋଇ ଏଥି ରହିବାକୁ ହେବ

କିବା ଶିରୀ ସେଇ ରହିବାରେ ?

ତଥାପି ଖୋଜୁଚ ତମେ କ୍ଷଣଦଣ୍ଡେ ରହିବାକୁ

କେଉଁ ନୀଳ ଝରଣାର ଧାରେ ।

 

ସେ ନୀଳ ଝରଣା କେଉଁ ବାଲି ଶଯ୍ୟା ତଳେ

କେତେବେଳେ ଯାଇଚି ଉଭାଇ,

ସେ ଶୀତଳ ମଳୟର ଢେଉ ବହୁନାଇଁ

ପ୍ରାଣ ମନ ଆଉ ଶୀତଳାଇ ।

 

ସେ ବିହଗ ସେଇ ଗାନ ଗାଉନାଇଁ ବସି

କେଉଁ ଲତାପତ୍ର ଆଢ଼ୁଆଳେ

ସେ ମୋହନ ସ୍ୱପ୍ନ ମାଟି ପାଲଟିଚି ଶମଶାନ

ଖୋଜି ହେଲେ ପାଇବନି ବାରେ ।

 

ପ୍ରାଣର ଯେ ହସ ଟିକ ସବୁ ସଂପଦରୁ ବଳି

କି ବିପୁଳ ସଂପଦ ପରମ

ଖୋଜୁଚ ପାଇବ ବୋଲି ଚତୁର୍ଦ୍ଦିଗେ ଘୂରି,

ବ୍ୟର୍ଥ ହୁଏ ଦେହ ମନ ସବୁ ପରିଶ୍ରମ !

 

ରାତି ଯାଏ ଦିନ ଆସେ, ଦିନ ପରେ ରାତି ହୁଏ

ଆଶା ତବ ଯାଏ ନାଇଁ ମରି,

ବିଶାଳ ଧରିତ୍ରୀ ମୋର ଗୋଟାଏ ମରୁ ପ୍ରାନ୍ତର ପରି

ଚିରଦିନ ରହିଥିବ ପଡ଼ି ?

 

ଫୁଟାଅ ଫୁଟାଅ ଯାତ୍ରୀ ସେଇ ମଧୁ ତାନ

ପ୍ରାଣେ ଭରି ପ୍ରତିଜ୍ଞା ଅଟଳ,

କେଉଁଆଡ଼େ ଫେରିଯିବି ? ମାଟିର ଧରିତ୍ରୀ ଏଇ,

ତୁମରି ତ ଏକମାତ୍ର ଘର !

 

ଏ ଘରର ଡିହ ପରେ ତୋଳିଯାଅ ତୋଳିଯାଅ

ଯାହା ତୋଳିବାର,

କେତେ ଝଡ଼ ବୋହିବତ, ଚତୁର୍ଦ୍ଦିଗୁ ପଥ ତବ

କରି ଅନ୍ଧକାର ।

 

କାହିଁକି ଚାହିଁଚୁ ?

କିଏ କେତେ ପିନ୍ଧିଚନ୍ତି ବସନ ଭୂଷଣ

ମୂଲ୍ୟବାନ୍‌ ମୂଲ୍ୟବାନ୍‌ ଅତି ମୂଲ୍ୟବାନ୍‌।

ସେ ମାନବ ପାଖେ ମାଆ ! ବସିଚୁ ଗାଡ଼ିରେ,

ଲାଗୁଥିବ ତୋରେ ସତେ କେତେ ହୀନିମାନ !

ଥରେ ସେମାନଙ୍କୁ ଚାହିଁ ଥରେ ତୁ ନିଜରେ

ଲୁହବୋଳା କି କରୁଣ ଦୃଷ୍ଟି ଢାଳି ଚାହୁଁ,

କାନରେ ତୋ ଦୋଳୁ ନାଇଁ ହେମ-କର୍ଣ୍ଣପୁର

ବେକରେ ନାହିଁଛି ତୋର

ସ୍ୱର୍ଣ୍ଣହାର ଗୋଟେ ପାଖେ ଦି’ ଚାରିଟା ଆଉ ।

 

ବର ତୋର କରୁନାଇଁ ବିରାଟ ଚାକିରୀ,

ଲାଞ୍ଚ ମିଛ ମେଳେ ବୁଡ଼ି

ହୋଇନି ବିରାଟ,

ସବୁବେଳେ ଅଭାବ ଓ ଜଞ୍ଜାଳ ଯାତନା

କରିଛି ଆଚ୍ଛନ୍ନ ତୋର ଦେହ ମନ ତଟ,

ସେମାନଙ୍କ ଓଠେ ଯେଉଁ ଗର୍ବ ଅହମିକା

-ହସଟିକ ଫୁଟି ଉଠେ,

ତାରେ ଲକ୍ଷ୍ୟ କରି

ବିଚାରୁଥିବୁ ତୁ ମୁହିଁ କେତେ ହତଭାଗ୍ୟ

କେତେ ଜନ୍ମ ପରେ ହେବି ଏ ମାନବ ପରି ?

 

ସେମାନଙ୍କ କଥା ଭାଷା ଆୟ ଅଳଙ୍କାର

ସେମାନଙ୍କ ଠାଣି ମାଣିଏ ସକଳ ଦେଖି

ଆପଣାରେ ସେମାନଙ୍କ ସହ କରୁଚୁ ତୁଳନା,

ଜୀବନ ଲାଗୁଚି ଅବା ଲାଗୁଥିବ

କେତେ ବିକଳ ଦୁର୍ବହ-

ସେମାନଙ୍କ ଶିରୀ ସଂପଦରୁ

ରହିଥାନ୍ତା ମୋର ହେଲେ ଏକ ଅଣା !

ସେମାନେ ହୁଏତ ତୋରେ ନଜର ତଳକୁ

ଆଣୁ ତ, ନଥିବେ କେବେ ଆଣିବେ ତ ନାଇଁ;

ଆଡ଼ମ୍ବର ବେଶଭୂଷା, ଧନ ଦଉଲତ

ଜୀବିକା ଯାହାର

ଜୀବନ ଅମୃତ ଶିରୀ ଦେଖିବାକୁ

ଆଖି ତାଙ୍କ କାହିଁ ?

 

ଏ ବିରାଟ ଆଡ଼ମ୍ବର, ଏଇ ବେଶଭୂଷା

ଚାପାରେ ଯାଇଚି ମରି ଯା ମଧୁ ଅନ୍ତର

ସିଏ କେଡ଼େ ନିଃସ୍ୱ ! କେଡ଼େ ପଙ୍ଗୁ !

କେଡ଼େ ଅସହାୟ !

ଦିନେ ନୁହେ ମୁହୂର୍ତ୍ତେ ବା ନୁହେଁ

ଜନମ ଜନମ ଧରି ଅନନ୍ତ ସମୟ !

କାହିଁକି ଚାହିଁଚୁ ମାଆ ?

ସେ ସବୁରେ ଏତେ ଅମୃଛୁକ୍‌ ହୋଇ ।

ତୋ’ ମଳିନ ନିଃସ୍ୱ ଅଳଙ୍କାର ହୀନ-

ପ୍ରାଣ ତଳେ ଜଳୁଚି ଯେ ଦୀପ ଶୁଭ କର

ତାର ଗୋଟିଏ ରଶ୍ମୀର ଦୀପ୍ତିରେ

ପିନ୍ଧିଚୁ ତୁ କୋଟିଏ ଅଳଙ୍କାର

ତୋରେ ଅଳଂକୃତ କରୁଥିବ,

କରୁଥିବ ଅଳଂକୃତ ବିଶ୍ୱ ଚାରିଆଡ଼ ।

 

କାଠଗୋଛା

କି ଗୀତ ଲେଖିବି ମୁଁ, କଲମ ଗୋଟି ଧରି ବସିବି ଏକା

ଯାଉଚି ବୁଢ଼ୀଟିଏ, ମୁଣ୍ଡେ କାଠ ଧରି, ହେଲା ମୋ ଦେଖା ।

ନିଜକୁ ନିଜେ ସିଏ ଯାଉଚି କହି କହି-କଷ୍ଟ ଭାଲେ

ସହିବା ପାଇଁ ଅଛି, ଆହୁରି କେତେ କାଳ କେ କହିପାରେ ?

ତା’ କଥାପଦି ଉଇଁ ତାହାଠି ଯାଉଅଛି ନୀରବେ ନିଭି,

ଚାଲିଚି ଥିରି ଥିରି, ଆପଣା ଭରା ଆପେ ସେ ଅନୁଭବି ।

 

କେଉଁଠି କାଠ ଡେରି ଟିକିଏ ବସିଥିବ ହାଲିଆ ମାରି

ଅଥବା ଚାଲିଥିବ କୁଡ଼ିଆଟିରେ କେଉଁ ପାହାଡ଼ ପାରି,

ସେ ଭଳି କହୁଥିବ, ସେ କାଠ ଗୋଛା ତଳୁ ସେ କଥା ଉଇଁ

ଅସୀମ ଶୂନ୍ୟରେ ମିଳାଇ ଯାଉଥିବ କାରେ ନ ଛୁଇଁ ।

ହୁଏତ ବେଳେ ବେଳେ ଡହକ ବିକଳରେ କେଉଁଠି କାହିଁ

ସେ କେଉଁ ଗଛ ତଳେ ଶୋଇଣଥିବ; ଯିବ ଗଡ଼ିଲେ ଛାଇ ।

 

ହୁଏତ ଭାଳୁଥିବ କିଏ ମୋ ପୁଅ ପତି କୁଆଡ଼େ ଗଲେ,

ରହିଲି ଏକା ପଡ଼ି, ଜୀବନ ଯାଉନାଇଁ ଏ କଲବଲେ ।

ଅଥବା ପୁଅ ବୋହୂ ତାହାରେ ଭିନେ ଯେବେ ଥିବେଟି କରି

ଆଖିରୁ ଲୁହ ପୋଛି, ବିଚାରୁଥିବ ବସି, ନୀରବେ ବୁଢ଼ୀ-

ସାତରୁ ସତର ମୁଁ ଯାହାରେ କଲି ଏତେ ପାଳି ଓ ଝାଳି

ସେ ଯେବେ ବୁଝିଲାନି ଆଡ଼େଇ ଦେଲା ଘରୁ ଗୋଇଠା ମାରି ।

 

ମୋ ଦୁଃଖ ଦଇନି ବା ବୁଝିବ କିଏ ଆଉ ମୋହର ହୋଇ

ଜୀବନ ଚାଲିଯାନ୍ତା ଇମିତି ଏଇଠି ମୁଁ ଥାନ୍ତି ଶୋଇ ।

ନିଃସ୍ୱ କୁଡ଼ିଆରେ ସେ ଅବା ଉଠି ବସି ଯିବଣି ପାଇ

ବେଳ ଯେ ବୁଡ଼ିଥିବ, ନ ଥିବ ଘରେ ଢୋକେ ପିଇବା ପାଇଁ

ଶୋଷରେ ଓଠ ପାଟି ହେବଣି ଅଠା ଅଠା, ମରମ ତଳେ

କୋହ ତା’ ଉଠୁଥିବ, ଗୋଟିଏ ଆସି ପୁଣି ଗୋଟିକ ପରେ ।

 

ସେ କାଠ ଗୋଛା ତଳୁ ସେ ବାଣୀ ସେଇଭଳି ମଉନେ ଉଠି

ନିଇତି ଯାଉଥିବ ମଉନେ ନିଭି, ଗାର ନ କାଟି କୁ’ଠି ।

ସେ କାଠ ଗୋଛା ସିଏ ହୁଏତ ଶୁଣୁଥିବେ ତା’ ମନକଥା

ଯାବତ ଫେରୁଥିବ ନିଇତି ଆସି ସେହୁ ଏ ବୁଦା ଲଟା ।

ସେ କାଠ ଗୋଛା ତାର ପରାଣ ସମ୍ପଦ ସବୁରି ପରେ

ତା’ ବିନୁ ତାର ସାଥି କେ ନାଇଁ ବୁକୁ ତାତି

ବୁଝିବା ଲାଗି ତାର ଏ ବୟସରେ ।

Unknown

ମୋରେ ଚାହିଁ

କିଭଳି ଆସିଲୁ କାହୁଁ ରହିବୁ କିଭଳି ?

ମୋରେ ଚାହିଁ ବୋବାଉଚୁ ବାର ବାର କରି ।

ଏ ଭଙ୍ଗା କୁଡ଼ିଆଟିରେ ରହିଚି ମୁଁ ଜଣେ,

ଆତ୍ମୀୟ ସ୍ୱଜନ’ଛନ୍ତି ଦୂରେ ଗୃହ କଣେ;

ଭାତ ମାଛ ତରକାରୀ ପାଣି ବା ତୋରାଣି,

ଆଦର ଯତନେ କିଏ ଦେବ ତୋରେ ଆଣି ?

 

ଭାତ ମୁଠେ, ପାଣି ମନ୍ଦେ ହେଲେ ମୋର ଲୋଡ଼ା,

ନାଇଁଛି ଆଶ୍ରୟ ଦୂର ସେ ହୋଟେଲ ଛଡ଼ା

ବେଳେ ବେଳେ ଉପବାସେ ଯାଏ କର୍ମଭୂଇଁ

ଛାଇ ଲେଉଟାକୁ ଭାତ ଗଣ୍ଡେ ଖାଏ ମୁହିଁ ।

 

ଅବା ମୁଠେ ଜଳଖିଆ ଦିନେ ଦିନେ ଖାଇ

ସୁଖେ ଦୁଃଖେ ସେ’ ଦିନଟି ନିଏ ମୁଁ ପୁହାଇ ।

ଏଇ ହତଭାଗା ଘରେ ତୁ ଅତିଥିଟିଏ

କିଭଳି ଆସିଲୁ ? ତୋରେ ପଠାଇଲା କିଏ ?

ଛାଡ଼ି ମୋରେ ଯିବା ଲାଗି ହୁଏନି ତୋ ମନ

ବସିଚୁ ଜଙ୍ଘେ ମୋ କୁନି ପୁଅଟିଏ ସମ !

ଘୁଡ଼ୁ ଘୁଡ଼ୁ ହେଉଅଛୁ କେତେ ସୁଖେ ଶୋଇ

ବେଳେ ବେଳେ ଖେଳୁଅଛୁ ଲାଞ୍ଜଟି ହଲାଇ

କି ମଧୁ ସପନ ତୁହି ଦେଖୁଚୁ ମୋ ତୁଲେ

କେସନେ ନିଠୁରେ ତୋରେ ତଡ଼ିଦେବି ଦୂରେ ?

ଥାଆନ୍ତେ କୁଟୀରେ ଯେବେ ପ୍ରାଣ ପ୍ରିୟତମା

ହାତେ ଧରି ଦେଉଥାନ୍ତେ ଓଠେ ତୋର ଚୁମା

 

ଭାତ ମାଛ ନିଜ ହାତେ ନିଜେ ସେ ଗୋଳାଇ

ଖୋଉଥାନ୍ତେ, କି ଅପତ୍ୟ ମମତାରେ ଶୋହି ।

ଏ ଅଭାଗା ଘରେ ତୁହି ଆସିଲୁ କିଭଳି ?

ମୋରେ ଚାହିଁ ବୋବାଉଚୁ ବାର ବାର କରି ।

ଯେତେ ଦିନ ରହିବୁ ତୁ ରହ ଏ କୁଟୀରେ

ନିଜ ହାତେ ନିଜେ ଛାଡ଼ି ପାରିବିନି ତିଳେ ।

ଏତେ ଯେବେ ଆପଣାର କରିଚୁ ତୁ ମତେ

ମୋ ଭାଗ୍ୟ ସହିତ ମିଶି ରହିବୁ ଊଷତେ ।

ଦେବାର ଯା’ ଦେବି ମୁହିଁ ଏ ପରାଣ ଚିରି,

ତହିଁରୁ କିଞ୍ଚିତେ ଊଣା ପାରିବିନି କରି;

 

ଆଶା ଆଶ୍ରା ଲବେ ଆହା ପାଇବାର ଲାଗି

ସେନେହ ସୋହାଗେ ତିଳେ ଉଠିବାକୁ ଜାଗି

ଯେ ଆସିଚି, ଆସୁ, ତାରେ

ଯାହା ଥିବ ମୋର

ତହିଁରେ ମୁ୍ଁ କରିନେବି ନିଜରୁ ନିଜର ।

କିଭଳି ଆସିଲୁ କାହୁଁ, ରହିବୁ କିଭଳି

ମୋରେ ଚାହିଁ ବୋବାଉଚୁ ବାର ବାର କରି ।

 

ଖଲିକୋଟ ଅବସ୍ଥାନ କାଳରେ କବିଙ୍କ ବସାକୁ ଗୋଟିଏ ଛୋଟ ବିରାଡ଼ି ପିଲା କେଉଁଠୁ ଆସି ରହିଯାଇଥିଲା । ତାରି ଉପରେ ଏ କବିତାଟି ଲେଖାଯାଇଚି ।

 

ଭିନ୍ନ

ସେ ହାତ ଏକ ଭିନ୍ନ ହାତ

ଧରିଚି ମତେ ଛାଡ଼ିବ ନାଇଁ

ଢେପ ଓ ଖାଲ ଯାହା ବା ଆସୁ

ଦେବନି ମତେ ପଡ଼ିବା ପାଇଁ ।

 

ସେ ଆଖି ଏକ ଭିନ୍ନ ଆଖି

ଚାହିଁଲା ପରି ଚାହିଁଚି ମତେ

ତାହାରି ବିନେ ମୁଁ ହତଭାଗା

ଧରାଇ ଏଇ ଯାତ୍ରା ପଥେ ।

 

ସେ ଓଠ ଏକ ଭିନ୍ନ ଓଠ

ଯାହାର ପଦେ ବାର୍ତ୍ତା କାନେ

ଶୁଣିଲେ, ଏଇ ମରୁର ବୁକେ

ଝରଣା ଝରେ ମୁଗ୍‌ଧ ତାନେ ।

 

ସେ ମନ ଏକ ଭିନ୍ନ ମନ

ପଟାନ୍ତର ଧରାରେ କାହିଁ ?

ସୁଦୂରେ ନଭେ ବୁଲାଇ ଆଣେ

ଚନ୍ଦ୍ର ତାରା ରାଇଜେ ଯାଇ ।

 

ସେ ଦେହ ଏକ ଭିନ୍ନ ଦେହ

ଅଗ୍ନିରେ ବି ଦଗ୍‌ଧ ହବ,

ତହିଁରେ ଯେବେ ଜୀବନ ପାଇ,

ଉଠିବ ଜାଗି ମୋହରି ଶବ ।

 

ସେ ହୃଦ ଏକ ଭିନ୍ନ ହୃଦ

ଧରିତ୍ରୀରେ ଚିହ୍ନ ତାର-

ନିଭିଲେ, ମୁହିଁ ଯିବି ତ ନିଭି

ନେତ୍ରୁ ଢାଳି ତପ୍ତଧାର ।

 

ସୁଦୂରେ ବୁଲୁଛି କାହିଁ

ପେଟ ଭାତ ପାଇଁ ସିଏ ସୁଦୂରେ ବୁଲୁଚି କାହିଁ

ସବୁତ ଦେଖୁଚି ତାକୁ ଟିକିଏ ଦେଖିଲି ନାଇଁ

ଦେଖୁଚି ଏ ବିଲ ବନ ପାହାଡ଼ ପ୍ରାନ୍ତର ପଥ

ତା’ ତୁଲେ ସୋହାଗେ ଯହିଁ ବୁଲିଚି ମୁଁ ଅବିରତ,

ମନେ ମୋ ଯାଉଚି ପଡ଼ି ଅତୀତର କେତେ କଥା

କେତେ ସୁଖ ଦୁଃଖ କେତେ ମନର ଗଭୀର ବ୍ୟଥା

ସାଥି ହୋଇ କେତେ କଥା ହେବାର ଯେ କୁହାକୁହି

ସକଳ ଯାଉଚି ମୋର ବକ୍ଷ କି ନିବିଡ଼େ ଛୁଇଁ ।

 

ଅଭାବ ଓ ଅନାହାରେ ବୁଲୁଥିବ କେଉଁଆଡ଼େ

ବଦନ ବିମଳ ଶୋହା ଶୁଖିଯାଇଥିବ ବାରେ,

ବହୁଥିବ ସ୍ୱେଦ ବିନ୍ଦୁ ପ୍ରତି ଅଙ୍ଗୁନିକି ତା’ର

ଖରାରେ ତରାରେ କାହିଁ ବୁଲୁଥିବ ବାରବାର,

ପିଲାଟିମାନେ ଯେ ତାର କନକ ପିତୁଳୀ ପରି

ବିକଳାଙ୍ଗ ଦିଶୁଥିବେ ମୁଠିଏ ନ ଖାଇ କରି

ପ୍ରତି ନିତି ଘାଣ୍ଟି ହୋଇ ଅସୀମ ବେଦନାଭାରେ

କେଉଁଠି ସେ ରହିଥିବ ସୀମାହୀନ ହାହାକାରେ ।

ଦଶଦିଗ ମହାଶୂନ୍ୟ ଲାଗୁଥିବ ବେଳେବେଳେ

ରହିତ ନଥିବ ପାରି ହସଖେଳ ଖୁସି ମେଳେ,

କି ନିବିଡ଼େ ମୁହିଁ ଆଜି ତାରେ ଅନୁଭବ କରେ

ସମସ୍ତ ପୃଥିବୀ ହେଲେ ଏଭଳି ଲୋଡ଼ନ୍ତା ଥରେ ।

 

କିଏ କେତେ ନିଯାତନେ ଏ ବିଶ୍ୱେ ରହିଚି କାହିଁ

କାହା ନେତ୍ରୁ କେତେ ଲୁହ ନୀରବରେ ବହୁନାଇଁ ।

କପାଳ ଆଦରି କିଏ ଅନନ୍ତ ବେଦନା ସହି

ମକପଶୁ ପରି ଅଛି ପଦେ କା’ରେ ନାଇଁ କହି ।

 

କେତକୀ

ମୋର କଣ୍ଟକ ବାଡ଼ ଚାରିଆଡ଼େ

ମୁଁଗୋ ରହିଚି ବିଜନ ପଥଧାରେ

ମୋତେ ଦେଖେନା ଚାହେନା କେହିଜଣେ

ମୁଁଗୋ ବନ୍ଦିନୀ କଣ୍ଟକ-ବଣେ ।

 

ମୁଁ କି ମୁକ୍ତି ସପନ ଦେଖିବିନି ?

ମୁଁ କି ଚିରଦିନ ଥିବି ବନ୍ଦିନୀ

ଭେଦି କଣ୍ଟକ ବୁଦା ଲଟା ଏଇ

ମୋରେ ନବନି ସେପାରେ ହେଲେ କେହି ?

 

ମୁଁଗୋ ଡାକିବିନି ହାତ ଠାରି କାରେ

ମୁଁଗୋ ପଡ଼ିରହିଥିବି ଏଇଠାରେ

ଏଥି ମତେ ଓ ମୋହର ଚାରିଆଡ଼େ

ଥାଉ କଣ୍ଟକ ବେଢ଼ି କାଳେ କାଳେ ।

 

ମୋର ମଧୁ ଯୌବନ ମୁକୁଳାଇ,

ମୋର ଗନ୍ଧ ବରଣ ଉଛୁଳାଇ

ମୁଁଗୋ ଫୁଟି ଫୁଟି ନିତି ଉଠୁଥାଏ

ମୁଁଗୋ ତା ତହୁଁ ଅଧିକ ନାଇଁ ଚାହେଁ ।

 

ମୋର କଣ୍ଟକମୟ ଦୁର୍ଗ ଯେ

ଦିନେ ପାଲଟି ଉଠିବ ସ୍ୱର୍ଗ ଯେ,

ମୋର ମଧୁଭରା ଟିକି ଅନ୍ତର

ପ୍ରତି ଅନ୍ତରେ ହେବ ଢଳ ଢଳ ।

 

ପାତି ସେ ରହିଚି ପରାଣ-ପାତ୍ର

[ଖଲିକୋଟ ରାଜବଂଶର କୌଣସି ଆଦିପୁରୁଷ ଖଲିକୋଟ ଦଖଲ କରିଥିଲେ ଖଲିକୋଟରେ ଅତି ପୁରାକାଳରୁ ବାସ କରୁଥିବା ଜଣେ ରାଜା ଓ ତାଙ୍କର ଅନ୍ତଃସତ୍ତ୍ୱା ରାଣୀଙ୍କୁ ହତ୍ୟାକରି । ସେଇ ଅନ୍ତଃସତ୍ତ୍ୱା ରାଣୀର ମର୍ମ-ବେଦନା ଏଇ କବିତାରେ ରୂପାୟିତ ହୋଇଛି ।]

 

ମାରୁଆ ପାହାଡ଼ ଆଦିମ ଯୁଗର ଇତିହାସ ପରି ରହିଚ ତମେ

କେତେ ଉତ୍‌ଥାନ ପତନ କାହାର ଦେଖିଥିବ ନିତି ନୟନ-କଣେ,

ତୁମ ଗୋଡ଼ିମାଟି ପଥର ବୁକୁରେ ହୋଇଥିବ ସବୁ ନୀରବେ ଲେଖା

ଦେଖାଇଲେ ତୁମେ ଦେଖାଇ ପାରିବ, କହିଲେ ବି କହି ପାରିବ ଏକା ।

 

ତୁମ ପ୍ରତିବାସୀ ଯାତ୍ରୀ ଜଣେ ମୁଁ ତୁମ ସମ୍ମୁଖେ ହୋଇଚି ଠିଆ

କିବା ସଙ୍କୋଚ ମୋ ଭଳି କବିରେ ଫିଟାଇବା ପାଇଁ ତୁମରି ହିଆ ?

ଦେଖିଚି ତୁମରେ ଦେଖୁଚି ତୁମରେ, ପରିଚୟ ମୋର ତୁମରି ସହ

ଏତେ ଯେ ନିବିଡ଼ ଦିନ ଦିନ ଧରି ମୋ ପାଖେ ତୁମର କି ଲାଜ ଭୟ ?

 

ସନ୍ଧ୍ୟା ସକାଳେ କେତେ ମୁଁ ପଚାରେ, କେତେ ମୁଁ ପଚାରେ ନିଶୀଥ ରାତେ

କେତେ ମୁଁ ପଚାରେ ଏଇ ରାଜପଥେ ଚାଲିଗଲା ବେଳେ କେତେ କା’ସାଥେ,

ଗୁରୁ ଗମ୍ଭୀର ପରାଏ ଚାହିଁଚ, ଚାହିଁଚ ଉଦାସ ନୟନେ ଅତି

କେବେ ବା ଚାହିଁଚ ପ୍ରିୟଜନ ଭଳି ଶାନ୍ତ ଉଦାର ମୁଗ୍‌ଧମତି ।

 

ମାରୁଆ ପାହାଡ଼ ! କେଉଁ ଅତୀତର କିଏ ଅଭାଗିନୀ ତରୁଣୀ ବାଳା

ଯୁଗ ଯୁଗ ଧରି କାଳ କାଳ ଧରି ନୀରବ ଧିଆନେ ପାତିଚି ଥାଳା,

ଶିଖରୁ ଶିଖକୁ ବୁଲୁଚି ତୁମରି ଶିଳାରୁ ଶିଳାକୁ ପଡ଼ୁଚି ଖସି,

ପରାଣର ଜାଳା କହୁଚି କାହାରେ ଗୁହା ଅନ୍ଧାରେ କେଉଁଠି ବସି ।

 

ନିଃସୀମ ନଭେ ଚାହିଁଚି କେତେ ସେ, ସୁପ୍ତ ଯେବେ ଏ ନଗରୀ ସାରା,

ଦୁଃଖ ତାହାର, ଦଇନି ତାହାର, ବୁଝେକି ଆକାଶ ଚନ୍ଦ୍ର ତାରା ?

ଏ ଗଡ଼ ଉଆସେ ବେଳେ ବେଳେ ଚାହେଁ ଦୂରେ ବହୁ ଦୂରେ ଯାଏ ସେ ଫେରି,

ବୋହିଲେ ନୟନୁ ଉଷ୍ମ ଲୋତକ ବୋହୁଥାଏ ଧାରା ଶ୍ରାବଣ ପରି ।

 

କେବେ ଠିଆ ହୁଏ ଅନ୍ଧାର ରାତେ, କେଉଁ ଗଛ ତଳେ ନୀରବେ ଏକା

ପୁରିନି ଅବା ତା’ ପରାଣ-ବାସନା, ରହିଚି ସେଭଳି ବୁକୁରେ ଲେଖା ।

ହସିଲେ ହସୁଚି ପାଗଳିନୀ ପରି, କମ୍ପି ଉଠୁଚି ପାହାଡ଼ ଦରୀ

ମାରୁଆ ପାହାଡ଼ ଦେଖିଥିବ ତମେ ବେଳେ ବେଳେ ଅବା ଚମକି ପଡ଼ି ।

 

ମାରୁଆ ପାହାଡ଼ ! ନିର୍ଜନ ରାତିରେ ତୁମରି ତାଳୁରେ କିଏ ସେ ଶୋଇ,

ସାହା ସାଥୀ ହୀନା କଅଣ ଭାଳୁଚି, ଖୋଜୁଚି କାହାରେ ବିକଳ ହୋଇ ?

ତୁମେ ଦେଖିଥିବ, ତୁମେ ଶୁଣିଥିବ, କହିଥିବ ଅବା ପଦିଏ କଥା

ସେକଥା ପଦକେ ତୁଟିକି ପାରିବ ବିରାଟ ଯାହାର ବେଦନା ବ୍ୟଥା !

 

ମାରୁଆ ପାହାଡ଼ ! ଦେଖିଥିବ ତୁମେ ତୁମରି ବୁକୁକେ’ ଆର୍ଦ୍ର କଲା

ନୟନୁ ବରଜି ଲୁହ ଓ ରକ୍ତ, ସେ ସବୁକି ସତେ ଉଭାଇଗଲା ?

ଏପାଖେ ଚାହିଁଲା ସେପାଖେ ଚାହିଁଲା, ଚାହିଁଲା ଉପରୁ ତଳକୁ ସେହି

ଦେଖିଲା କେ ନାଇଁ ରକ୍ଷା କରିବ, ବକ୍ଷ ଶୋଣିତ ତା’ଲାଗି ଦେଇ ।

ବାର ବାର କରି କହିଲା, କହିଲା ତୁମରି ବିଜନ ସେ ଦରୀ-କୋଳେ,

ପେଟରେ ଧରିଚି ଦି’ମାସର ପିଲା, ମାରନା ମାରନା ମାରନା ମୋରେ ।

 

ରାକ୍ଷସ ପରି କିଏ ନିଷ୍ଠୁର ନିର୍ମମେ ଦେଲା ତ’ ପେଟ ଚିରି,

ଅନ୍ତ ବୁଜୁଳି ଭିତରୁ ଖସିଲା ଶିଶୁଟି ସ୍ୱର୍ଣ୍ଣ ପାତିଆ ପରି ।

ଫିଟି ଫିଟି ନାଇଁ ଆଖି କାନ ନାକ କପାଳ ବକ୍ଷ ହୋଇନି ଗଢ଼ି,

ପ୍ରାଣ କମ୍ପନ ଜାଗିନି ଜାଗିନି, ଫୁଟିବ କାହୁଁ ତା’ ପ୍ରଥମ ରଡ଼ି ?

‘ଆହା ମୋର ପିଲା’ କିଏ ସେ କହିଚି, ସେତିକି ଆଉ ସେ କହିନି ପାରି,

ହାତ ଦୋ’ଟି କାର ଆପେ ଆପେ ଆସି ପିଲାଟିରେ ଅବା ରହିଚି ପଡ଼ି ।

 

ସୁଦୂର ଅତୀତୁ ଆଜିଯାଏଁ ଅବା ତୁମ ବଣ ବୁଦା କୋରଡ଼ ତଳେ,

କିଏ ସେ ବୁଲୁଚି କିଏ ସେ କହୁଚି ‘ଆହା ମୋ ପିଲାଟି’ କେଡ଼େ ବିକଳେ ।

ବେଳେ ବେଳେ କିଏ କାହାରେ ବିଲୋକି କିଭଳି ଛାନିଆ ଯାଉଚି ହୋଇ

ମାରନା ମାରନା କହୁଚି କାହାରେ, କୋହ ଲୁହ କେତେ ଆସୁଚି ବୋହି ।

 

ବେଳେ ବେଳେ କିଏ କି ମଧୁ ସପନ ଦେଖୁଚି ନିଜନ ନିଶୀଥରାତେ

କୋଳରେ ଶୁଆଇ ଶିଳୁପା ଗୋଟିଏ, ଧନ ବୋଲି କରେ ଆଦର କେତେ ।

ନିଦ ଆସିଯାଏ, ସେ ମଧୁ ଧିଆନେ ନିଦ ଭାଜିଗଲେ ଦେଖୁଚି ଚାହିଁ

ଏପାଖେ ପାହାଡ଼, ଆରପାଖେ ଗଡ଼, କାହିଁ ତାର ପିଲା ସେ ଅବା କାହିଁ ?

 

ଶୁଣିଲେ କେଉଁଠି ପଥର ଉହାଡ଼େ ବଣ ଜନ୍ତୁର ବିକଳ ରବ

କାନ ଡେରି ଶୁଣେ, କାନ୍ଦୁଚି କିଏ, ବୋଧେ ମୋର ସେଇ ଧନ ତ ହେବ ।

କେଡ଼େ ତରତରେ ଯାଏ ପାଦ ଚାଲି, ଦୁଧ କଳେ ଦେଇ କରିବ ବୋଧ

ମାଡ଼ିଚାଲେ, କେତେ କଣ୍ଟା ଖୁଞ୍ଚ ବାଟ ତାର କରିପାରେନା ରୋଧ ।

 

ଝଡ଼ି କୋହଲାରେ ଲୋଚି କୋଚି ହୋଇ ଆଦରି ସେ କେଉଁ ଗୁମ୍ଫାତଳ

ବସି ରହି ଭାଳେ, ବିକଳୁ ବିକଳେ ଧନମାଳି କୋଳେ ଥାଆନ୍ତା ମୋର ।

ବୁଲି ସାଇ ସାଇ ଭିକାରୁଣୀ ପରି କରନ୍ତି ତାରେ ଏଡ଼େରୁ ଏଡ଼େ,

ରହନ୍ତି ପଛେ ଗଛ ଛାଇ ତଳେ ଖରା ତରା ଝଡ଼ି ବରଷା ବେଳେ ।

 

ପିଲା ମୁହଁ ସେତ ଦେଖିନି ଦେଖିନି ଶୁଣିନି ପିଲାର କଅଁଳ ଡାକ,

ଦିଶି ଦିଶି ଯାଏ ଗୁଲୁ ଗୁଲୁ ମୁହଁ, ସେ କା’ର ଅବା ତା’ ଜୀବନ ଯାକ ।

ଓଠେ ଚୁମ୍ବନ ଦେବାକୁ ଯାଏ ସେ, ସୁନାଟି ବୋଲି ମୋ ସୋହାଗେ କହି,

ଶିଳାରେ ସେ ଓଠ ବାଜି ଫେରି ଆସେ, ଧନ ତାର ଅଛି କେଉଁଠି ରହି ?

 

ମାରୁଆ ପାହାଡ଼ ! ଦେଖୁଚ ଜାଣୁଚ ଶୁଣୁଚ ସକଳ ଦିବସ ରାତି

ଦିନୁ ଦିନ ଏଥି ବିଦୀର୍ଣ୍ଣ ହୋଇ ବୁଲୁଚି କାହାର ଗୋଟାଏ ଛାତି ।

ବରଷ ବରଷ ଯୁଗ ଯୁଗ ଧରି ମହା ସମୁଦ୍ର ପରାଏ ସେହି

ଆନ୍ଦୋଳି ଉଠେ, ଉଦ୍‌ବେଳି ଉଠେ, ଜାଣେନା ବୁଝେନା ଦେଖେନା କେହି ।

 

ସୀମାହୀନ ମହା ବ୍ୟର୍ଥତା ମେଳେ ଯୁଗ ଯୁଗ ଧରି ରହିଚି ସିଏ

ତା’ ଆଖିର ଲୁହ ତା ବୁକୁର କୋହ ଧରାରେ ନବୁଝୁ ପଛକେ କିଏ,

ମହା ପୃଥିବୀର ମହା ଅନ୍ତର ପରି ସେ ରହିଚି ଯାଇନି ମରି

କେତେ ସେ ଖୋଜୁଚି ଆପଣା ଟିକକ କାହାରେ ଦେବାକୁ ସୋହାଗେ ଭରି ।

 

ପାତି ସେ ରହିଚି ପରାଣ ପାତ୍ର, ପାତି ରଖିଥିବ ସେ ସବୁବେଳେ,

ସାଧନା ତାହାର, ଧିଆନ ତାହାର, ହୁଏତ ବା ଫୁଟି ନ ପାରେ ହେଳେ ।

 

ପ୍ରାଣ-ଭିକ୍ଷା

ପ୍ରାଣର କ୍ଷମତା ଦିଅ ଦିନ ଦିନ ଧରି

ଦିଅନାଇଁ ଧନ ଆଉ ଆସନ କ୍ଷମତା-

ଯହିଁରେ ମୁଁ ଅନ୍ଧ ହେବି, ଚକ୍ଷୁ ଫୁଟାଇବା

ନିଜ ହାତେ ଜାଣେନା କି ବାହାଦୁରି କଥ ।

 

ଛୋଟଲୋକି କରି ଯେହୁ ବଡ଼ ଲୋକ ହୁଏ

ଦୂରେ ରଖ ତାହାଠାରୁ ମୋରେ ବାରବାର,

ତାହାରି ପରଶଟିକ ବାଜିଗଲେ ଦେହେ

ନରକଟା, ଅଳ୍ପବାଟ, ତହିଁରୁ ଫେରିବା

ବଡ଼ ମୁଷ୍କିଲ ବ୍ୟାପାର ।

 

ଧନ ଜନ ମାନ ଯାନ ସବୁଟିକ ଧରି

ଛାତି ଟେକି ଚାଲିଥାନ୍ତୁ ଯିଏ ଚାଲିବାର,

ସେ ନିର୍ମଳ ହସ ଟିକ ଥାଉ ମୋର ଓଠେ

ଅସହାୟ ଲାଗି ଥାଉ ନେତ୍ରେ ମୋର

ସେହି ଲୁହଧାର ।

 

ମୋର ଭିତରର ସେ ଯେ ଇଜ୍ଜତ ସମ୍ମାନ

ଚାହେନା ମୁଁ ଅନାୟାସେ କା’ ଦୁଆରେ ବିକି

ବିରାଟୁ ବିରାଟ ହେବି, ନିଜଟିକ ଥିଲେ

ପ୍ରାଣର ଅମୃତ ଶିରୀଟିକ ଦବନିକି ?

 

ତୁମେ କି ଆସିବ ?

ତୁମେ କି ଆସିବ ? ଆଉ ତ ଆସିଲ ନାଇଁ !

ଦୂରେ ଦୂରେ ନିଭି ଯାଉଚି ମୋହର ଆଶା,

ତୁମେ କି ଖୋଜିବ ? ଆକୁଳ ପରାଣେ ଆଉ

ପାରିବ ଶୁଣି ମୋ କଣ୍ଠ ଆତୁର ଭାଷା ?

 

ତୁମେ କି ଆସିବ ? ଆଉ ତ ଆସିଲ ନାଇଁ,

ଜୀବନେ ମୋହର ଆଉ କି ବିଭବ ଥାଏ ?

ତୁମରି ପାଇଁ ମୁଁ ଜୀବନ ସାରାଟି ଧରି

ଯାହା ପାଆନ୍ତି କିଏ ଦେବ ଆଉ ହାୟେ !

 

ତୁମେ କି ଆସିବ ? ଆଉ ତ ଆସିଲ ନାଇଁ ?

ଆଉ ଆସିବାର ଚିହ୍ନ ଦେଖୁନି କିଛି

କିପରି ରହିବି ? କାହାକୁ ପଚାରି ଯିବି ?

ଜାଣେନା ଜାଣେନା କି ପଥ ମୁଁ ନେବି ବାଛି ?

 

ତୁମେ କି ଆସିବ ? ଆଉ ତ ଆସିଲ ନାଇଁ,

ଏ ପାଖ ସୂର୍ଯ୍ୟ ସେ ପାଖ ଯାଉଚି ବୁଡ଼ି;

ମହା ଅନ୍ଧାରେ ରହିବି ରହିବି ସିନା

କେତେ କାଳ ଆଉ ରହିବି କି ଲାଗି ଝୁରି ?

 

ତୁମେ କି ଆସିବ ? ଆଉ ତ ଆସିଲ ନାଇଁ

ସବୁ ନିଆଶାରେ ତଥାପି ତ ଆଶା ଜାଗେ,

କିଏ ସେ କହିବ ? ତୁମେ ନ ଆସିବ ଦିନେ !

ବ୍ୟର୍ଥତା କାହିଁ ସୀମାହୀନ ଅନୁରାଗେ ।

 

ବିରାଟ ପୁରୁଷ

ଦୀନ ଅରକ୍ଷ, କାଙ୍ଗାଳ ବୁଭୁକ୍ଷୁ ନିରନ୍ନର ସାଥୀ ହେବା-

ସାରା ଜୀବନ ଧରି, କଣ ଏଡ଼େ ସହଜ ?

କିଏ ଚାହେଁ, ଏଇମାନଙ୍କ ଆଖିରୁ ଲୁହ ଟିକିଏ ପୋଛିଦବା ପାଇଁ ?

କିଏ ଖୋଜେ, ଏଇମାନେ ହସି ଖେଳି ଟିକିଏ ସୁଖରେ ରହିବେ ବୋଲି ?

 

କାହାର ଅନ୍ତର ପ୍ରତିନିୟତ ଘାଣ୍ଟିହୁଏ, ଏଇ ନିଷ୍ପେଷିତ ଜନତା-

ସେଇ ଅନ୍ଧାର ଭିତରେ, ଅଭାବ-ନିର୍ଯ୍ୟାତନାରେ ସଢ଼ି ସଢ଼ି

ପୋକ ମାଛି ପରି ରହିଚନ୍ତି, ଟିକିଏ ଆଲୁଅକୁ ଆସିପାରୁନାହାନ୍ତି ବୋଲି ?

କିଏ ତୁଣ୍ଡକୁ ଆହାର ନେଇନି, ଏଇମାନଙ୍କ ମୁଖରେ ଢୋକେ ଦେବାପାଇଁ ?

କିଏ ଭଲ କରି ଜୀବନ ସାରା ପିନ୍ଧି ପାରିନି ଖଣ୍ଡିଏ,

ଏଇ ଅରକ୍ଷ ଜାତିଟାକୁ ବଞ୍ଚାଇବା ପାଇଁ ?

କିଏ ନିଜର ପିଲାଝିଲା, ଘରଦ୍ୱାରକୁ ଚାହିଁନି, ଚାହିଁଚି-

କେବଳ ସାରା ଦେଶର ପିଲାଝିଲାକୁ ।

ସାରା ଦେଶର କୋଟି କୋଟି ଅରକ୍ଷ ଜନତା

ଯେତେବେଳେ ପ୍ରାଣହୀନ ମାଟି କୁଡ଼ିଆ ଭିତରେ

ଶୀତ ଖରା ବରଷାର ଦାଉ ସହି ପଡ଼ିରହିଛନ୍ତି,

ସେଠି ଆକାଶସ୍ପର୍ଶୀ ରାଜହର୍ମ୍ୟ ସୃଷ୍ଟି କରି,

-ତା’ ଭିତରେ ସୌଖିନ ଜୀବନ ଯାପନ କରିବା

କିଏ ଘୃଣା ବୋଧ କରିଚି ?

ଜାତି ଯେତେବେଳେ ମୁମୂର୍ଷୁ, ବିକଳାଙ୍ଗ,

ସାରୁନାଡ଼, ମୁଠିଶାଗ, ପେଜ ପାଣି ଟୋପିଏ ପିଇ ପଡ଼ି ରହିଚି,

ସେଇଠି ବେକରେ ଫୁଲମାଳ ପିନ୍ଧି, ନେତାର ଗୌରବ

ଅନୁଭବ କରିବା

କି ମସ୍ତବଡ଼ ପାପ ! ମାନବିକତାର କି ଅଧଃପତନ !

କିଏ ପ୍ରାଣେ ପ୍ରାଣେ ଅନୁଭବ କରିଚି ?

ଜାତୀୟପୁରୁଷ ହେବାକୁ ହେଲେ

ଜାତିକୁ ଦେବାକୁ ହବ, ଜାତିଠୁ ନବାକୁ ହବନି-କିଏ

ଏଇ ମହାମନ୍ତ୍ରର ଉପାସକ ହୋଇ ଆସିଚି ଜୀବନ ସାରା ?

ସକଳ ବାଧାବନ୍ଧନ ଉପରେ ପଦାଘାତ କରି

ସିଂହ ବିକ୍ରମରେ ?

ତୁମେ କେବଳ ଗୋପବନ୍ଧୁ ! ତୁମେ...କେବଳ ତୁମେ !

ଏ ଜାତି ଇତିହାସର କେତୋଟି ପୃଷ୍ଠାରେ

ତୁମେ ବଞ୍ଚିରହିନ ଆଦର ସମ୍ପଦ ପରି କେବଳ !

ତୁମେ ବଞ୍ଚିରହିଚ ଜୀବନ୍ତରୁ ଆହୁରି ଜୀବନ୍ତ ହୋଇ

ଏ ବିଶାଳ ଦେଶର ପ୍ରତି ଧୂଳିକଣା ଭିତରେ !

ମହେନ୍ଦ୍ର ମେଘାସନର ଚୂଡ଼ାରେ ତୁମେ ଯେଭଳି ଠିଆହୋଇ

ଏ ଜାତିକି ଆଙ୍ଗୁଳି ସଙ୍କେତରେ କି ନିର୍ଦ୍ଦେଶ ଦେଉଚ ।

ମହୋଦଧିର ଉତ୍ତାଳ ତରଙ୍ଗ ଭିତରେ ତୁମେ

ଗୁରୁ ଗମ୍ଭୀର ଗର୍ଜନ କରି ପ୍ରତିନିୟତ ଚାଲିଚ ସତେ ଯେପରି

ଏ ଜାତିର ଦୁର୍ନୀତି ଦେଖି ।

ଏ ଦେଶ ବଡ଼ଦେଉଳ ପତାକାରେ ଲୀଳାଚଞ୍ଚଳ ହୋଇ

ଉଡ଼ି ବୁଲୁଚ ସାମ୍ୟ ମୈତ୍ରୀର ବାଣୀ ପ୍ରଚାର କରି;

ଚିଲିକାର ନୀଳକାନ୍ତ ଊର୍ମିର ଚୂଡ଼େ ଚୂଡ଼େ

ତୁମେ ଯେଭଳି ଗାଇ ବୁଲୁଚ ଏ ମାଟିର ଅସରନ୍ତି କୀର୍ତ୍ତିଗାଥା !

ଖଣ୍ଡଗିରିର ପ୍ରତି ଶିଳାଖଣ୍ଡ ଭିତରୁ ତୁମେ ଯେଭଳି ଫୁଟି ଉଠୁଚ

ଅହିଂସା ସତ୍ୟର ମୂର୍ତ୍ତିମନ୍ତ ଛବି ପରି !

ସତ୍ୟବାଦୀର ଛୁରିଅନା କୁଞ୍ଜ ଭିତରେ ତୁମେ ଯେଭଳି

ସଞ୍ଚିରଖୁଚ ତିତିକ୍ଷାର ମନ୍ତ୍ର ।

 

ତୁମେ ଏ ଦେଶର କୋଟି କୋଟି ଦୀନ ଅରକ୍ଷ ପ୍ରାଣରେ

ଆଶା-ଆଲୋକର ସଂଚାର କରୁଚ,

ଆପଣାର ବନ୍ଧୁଜନଠୁଁ ବଳି ଆହୁରି ଆପଣାର ହୋଇ ।

ତୁମେ ଇତିହାସର ବସ୍ତ୍ର ହୋଇ

କେତେ ଦିନ ଭିତରେ

କେଉଁ ବିସ୍ମୃତିର ସମୁଦ୍ର ଭିତରେ ଚିରଦିନ ପାଇଁ

ବିଲୀନ ହୋଇଯିବାର ନୁହଁ !

କାରଣ, ତୁମେ ଏ ଜାତିକି ରକ୍ତ ଦେଇଚ ।

ଦେଇଚ ଆଖିର ଲୁହ ।

ଏ ଜାତିର ଗୌରବ, ଏ ଜାତିର ଆଶ୍ରୟ

ଗୋପବନ୍ଧୁ ! ତୁମେ....କେବଳ ତୁମେ ।

ଯେଉଁ ଦେଶରେ ଶାସକ ଶୋଷକ ପାଲଟିଯାଏ,

ସେଇ ଦେଶର ଉଜ୍ଜ୍ୱଳ ଭବିଷ୍ୟତ କାହିଁ ?

ଯେଉଁ ଦେଶର ପ୍ରତ୍ୟେକ ବ୍ୟକ୍ତି ପିଲାଠୁଁ ବୁଢ଼ାଯାଏଁ

କଳାବେପାରୀ ସାଜି, ଟଙ୍କାର ଗାଦିରେ ବସି

ବଡ଼ହେବାକୁ ଜୀବନର ଏକମାତ୍ର କାମ୍ୟ ବୋଲି ଲାଗିପଡ଼େ,

ସେ ଦେଶର ଦୁର୍ଗତି ଚରମ ସୀମାରେ ପହଞ୍ଚିବାକୁ କେତେ ଦୂର ?

ଯେଉଁ ଦେଶରେ ପ୍ରିୟାପ୍ରୀତି ତୋଷଣ

ଜୀବନର ଶ୍ରେଷ୍ଠ ଧର୍ମ,

ସେଠି ପ୍ରତିଭାର ସ୍ଥାନ କାହିଁ ?

ଯେଉଁ ଦେଶରେ ନେତୃତ୍ୱ କିଣାଯାଏ

 

ଆଖି ଝଲସି ଯାଉଥିବା ଅମାପ ଟଙ୍କା ପଇସାରେ,

ଜାତିର ସେବାରେ ନୁହେଁ,

ସେଠି ମଣିଷ କାହିଁ ?

ଯେଉଁ ଦେଶର ଶିକ୍ଷିତ ଭଦ୍ର ସମାଜ ଭିତରେ

ସାମାନ୍ୟ ଟିକିଏ କଥାରେ

ହାତାହାତି ମାଡ଼ ମରାମରି ଚାଲେ

ରାସ୍ତାର ହିଂସ୍ର ଜନ୍ତୁ ପରି,

ସେଠି ଶିକ୍ଷାର ମାନଦଣ୍ଡ କାହିଁ ?

ଗୋଟାଏ ନିଶାଖୋର ମଦ୍ୟପ ପରି,

ଆଣାୟତ୍ତ ହୋଇ,

ଏ ଦେଶର ଯେ ଡଙ୍ଗା ଆଜି ଭାସିଚାଲିଚି,

ସେ କେବେ ହେଲେ ପହଞ୍ଚି ପାରିବ

ସମୁଦ୍ରର ସେଇ ସୁଦୂର-ପାରି ବନ୍ଦର ପାଖରେ ?

ଖୁବ୍ କମ୍ ସମ୍ଭବ ।

ଏ ଦୁର୍ଦ୍ଦିନରେ ଯେତେବେଳେ ପ୍ରବଳ ଝଡ଼ତୋଫାନ

ବହି ଚାଲିଚି, ଆତଙ୍କର ଛାୟା ଚାରିଆଡ଼େ,

ଥଳକୂଳ କିଛି ଦିଶୁନି,

ସେତେବେଳେ ଏ ଡଙ୍ଗାର ମଙ୍ଗ ମୋଡ଼ି ପାରିବ କିଏ ?

ଆଉ କେହି ନାଇଁ

ଗୋପବନ୍ଧୁ । ତୁମେ-କେବଳ ତୁମେ ।

ହୃଦୟର ବିଶାଳ ପରଶ ଯେତେବେଳେ

ପୃଥିବୀରୁ ଏକବାର ନିଶ୍ଚିହ୍ନ ହୋଇଯାଏ,

ସେତେବେଳେ ସମୁଦାୟ ପୃଥିବୀ ମାଟି-

ପାଲଟି ଉଠେ ସଇତାନର ଲୀଳାଭୂମି,

ଗୋଟାଏ ପ୍ରାଣହୀନ ମରୁପ୍ରାନ୍ତରର

ସମସ୍ତ ବିଭୀଷିକା ଧରି ।

 

ଦେଢ଼କୋଟି ଓଡ଼ିଆର ଉପାସ୍ୟ ଦେବତା ଗୋପବନ୍ଧୁ

ହୃଦୟର ସେଇ ବିଶାଳ ପରଶ ପ୍ରତ୍ୟେକ ପ୍ରାଣରେ-

ବାଢ଼ିଦେଇ

ଜୀବନର ମୋହନ ଜାଗରଣ ଆଣିପାରିବ କିଏ ?

କାହାର ଦୁଇଟି ଆଖି

ପୃଥିବୀର ଆଚଣ୍ଡାଳ ବ୍ରାହ୍ମଣ ସମସ୍ତିଙ୍କି ଆପଣାର କରି

ଚାହିଁରହେ ।

କାହା ହାତର ଟିକିଏ ପରଶରେ

କଠୋର ପାଷାଣ ବି ଜୀବନ୍ତ ହୋଇଉଠେ !

କାହା ରସନାର ମଧୁମନ୍ଦ୍ର ବାଣୀରେ

ବିଶ୍ୱର ସହସ୍ର ଘାତ-ପ୍ରତିଘାତ, ବାଦ-ବିସମ୍ବାଦ

ଆଖିର ପଲକରେ କେଉଁ ଦିଗ୍‌ବଳୟ ତଳେ

ବିଲୀନ ହୋଇଯାଏ !

 

କାହା ହୃତପିଣ୍ଡର ମୁକ୍ତି-ପାଗଳ ଶୋଣିତ ବିନ୍ଦୁ

ସମ୍ମୁଖରେ ସକଳ ଅନ୍ୟାୟ-ଅଧର୍ମ ଅନାଚାର ଦେଖି

ଟକ୍‌ମକ୍‌ ହୋଇ ଫୁଟିଉଠେ !

ସେଇ ବିରାଟ ପୁରୁଷ କିଏ ? ଯାହାର ଗରିମାମୟ

ବିଶାଳ ବ୍ୟକ୍ତିତ୍ୱ

ଆଜି ପାଇଁ ନୁହେଁ, କାଲି ପାଇଁ ନୁହେଁ, ଯୁଗାନ୍ତର ପାଇଁ

ଏ ଜାତିର ପ୍ରାଣକେନ୍ଦ୍ରରେ ଜୀବନର କମ୍ପନ ଆଣୁଥିବ ।

ସେ ଆଉ କେହି ନୁହେଁ ।

ତୁମେ କେବଳ ଗୋପବନ୍ଧୁ !

ତୁମେ-କେବଳ ତୁମେ !

 

କିଏ ମୋରେ ଦିଏ ଡାକ !

କଥା ନାଇଁ, ଭାଷା ନାଇଁ, ଆପଣାର କେହି ନାଇଁ

ତଥାପି ମୁଁ ଚାରିଆଡ଼େ କାହିଁକି ରହିଚି ଚାହିଁ ?

ପ୍ରିୟଜନ ପରିଜନ କାହା ପରିଚିତ ସ୍ୱନ-

ଶୁଭୁନାଇଁ, ତଥାପି ମୁଁ ଡେରିଚି କା’ ପାଇଁ କାନ ?

 

ଭଙ୍ଗା ଇଟା କାନ୍ଥି କାହିଁ ଦିଶିଯାଏ ଗୋଟେ ଗୋଟେ

ତଥାପି ମୁଁ ତା’ ଭିତରେ ଖୋଜୁଚି କି ଶିରୀ ଲୋଟେ ।

ଏଠି କେବେ ଠିଆହୁଏ, ସେଠି କେବେ ଯାଏ ଧାଇଁ,

ତଥାପି ମୁଁ ବୁଲୁଥାଏ, କିଛି ତ ପାଏନି କାହିଁ ।

 

ଏଇ ଗଛ ସେଇ ବୁଦା ସେଇ ନାଳ ଏଇ ନଈ

ଜାଣେନା କି କଥା ମୋର କାନେ କାନେ ଯାଏ କହି ।

କାହାରେ ଦେଖିବି ବୋଲି, କାହାରେ କହିବା ଲାଗି,

କେତେ କଥା ଓଠେ ଫୁଟେ, କେତେ ଉଠେ ନାଇଁ ଜାଗି ।

 

ଛାଡ଼ି ଏଇ ମାଟି ଟିକ, ଯାଉଚି, ମୁଁ ଯିବାବେଳେ

ଜାଣେନା ଲେଉଟି ଚାହେଁ, କାହିଁକି ମୁଁ ବାରେ ବାରେ ।

କିଏ ଅଛି କେଉଁଠାରେ ଦିଶେ ଅବା ଦିଶେ ନାଇଁ

ତଥାପି ହୁଏନି ଇଚ୍ଛା ଦୂରେ ଚାଲିଯିବି କାହିଁ ।

 

କାହାରେ ଡାକୁଚି ମୁହିଁ, କିଏ ମୋରେ ଦିଏ ଡାକ

କା’ ପାଖେ ରହିବି ମୁହିଁ, କିଏ ଛାଡ଼ୁନି ମୋ ପାଖ ।

 

କବିତା ଭିତରେ

କବିତା ମୋହର ପ୍ରତି ଶୋଣିତର ରକ୍ତ-ସ୍ରୋତ

କବିତା ଭିତରେ ବଞ୍ଚି ରହିଚି ମୁଁ ଅବିରତ,

ଛାଡ଼ି କବିତାରେ

ଯିବି କେଉଁଆଡ଼େ ?

 

କେତେ ଜନମରୁ ବାଛି ମୁଁ ନେଇଚି

ସେଇ ସୁନ୍ଦର ସ୍ୱର୍ଣ୍ଣ-ପଥ,

କବିତା ଭିତରେ ବଞ୍ଚି ରହିଚି

ମୁଁ ଅବିରତ ।

 

ବିପଦେ ଆପଦେ

ତାହାରି ବୁକୁରେ ସ୍ୱର୍ଣ୍ଣମାୟା,

ମତେ ହିଁ ଦେଇଚି ମଧୁ-ସାନ୍ତ୍ୱନା

ମତେ ହିଁ କରିଚି ପାଗଳ-ବାୟା,

ଅନ୍ତର ଭରା ସାଥିଟି ପରାଏ

ଏକଇ ମାତ୍ର ସେ ମୋର ସାହା

ସତ ଏ ସତ

କବିତା ଭିତରେ ବଞ୍ଚି ରହିଚି

ମୁଁ ଅବିରତ ।

 

ମୋ ଘର ଦୁଆର ମୋର ବିଲ ବାଡ଼ି

ଅଛି କି ନ ଅଛି ଜାଣି ନାଇଁ ପାରି,

ସେ ସବୁରେ ମୋର ନାଇଁ ଲୋଭ କ୍ଷୋଭ

ଚାଲିଚି ମୁଁ ସେଇ

ବିରାଟ ଅୟନେ,

ଜାଗରଣେ ଅବା

ସପନେ ଶୟନେ ।

କବିତା ଯେଉଁଠି ଝରି ଉଠେ

ପ୍ରତି ମୁହୂର୍ତ୍ତ ଧରି

ପୂର୍ଣ୍ଣ କରି ଏ ଧରଣୀ ନଭ,

ମତେ ମୁଁ ଜାଣିଚି

ଜାଣିଥିବ ତମେ

କେବଳ କବି ମୁଁ

ସାଧନା ରତ,

କବିତା ଭିତରେ ବଞ୍ଚି ରହିଚି

ମୁଁ ଅବିରତ !

 

ବହୁ ଲାଞ୍ଛନା ବହୁ ଅପମାନ ବହୁ ପରାଭବ ପାଇଚି ମୁହିଁ

ନୁହେଁ ମୁହିଁ ଏଇ ଧରାର ମଣିଷ

ଅପଦାର୍ଥ ମୁଁ ବୁଲୁଚି ଏ ମହା ଧରଣୀ ଭୂଇଁ,

ଘରଟାକୁ ମୋର କରିନାଇଁ କୋଠା

କିଣିନି କା’ ଡିହ ବାଡ଼ି ଗୋଟା ଗୋଟା;

ପିନ୍ଧି ପୋଷାକ ଭାରି ଝଲମଲ

ଦେଖାଇ ହୋଇନି ମୁହିଁ କେତେ ବଡ଼ ?

 

ଟଙ୍କା ପଇସା କରଜ ଦେଇ ମୁଁ

ସାଉକାର ସାଜି କାହାଠୁ

ଆଣିନି କଳନ୍ତର

କବିତା ଭିତରେ ସାରା ଦୁନିଆର ଚିତ୍ର ଫୁଟାଇ

ପାଉଚି ମୁଁ ଯେଉଁ ଅମୃତଟିକ

ସେଇ ମୋର ସବୁ ଧନ ସମ୍ପଦ,

ସଞ୍ଚୟ କରି ଚାଲିଚି

ହେଲାଣି ଷାଠିଏ ବରଷ ଜୀବନୁ ଗତ

କବିତା ଭିତରେ ବଞ୍ଚି ରହିଚି ମୁଁ ଅବିରତ ।

 

ଗୋଡ଼ାଣିଆ ହୋଇ ଯାଇନି କା’ ପଛେ

ହାତ ପାତି, ମୁହିଁ-

ମାଗିନି କାହାର ଅନୁଗ୍ରହ,

ନିଜେ ମୁଁ ଚାଲିଚି ନିଜେ ନିଜେ ନିଜେ

ଖାତିରି ନ କରି

ଆସୁ ପରାଜୟ ଆସୁ ବା ଜୟ ।

କେତେ କାନ୍ଦିଚି, କେତେ ମୁଁ ହସିଚି

ନିରାଶେ କେତେ ମୁଁ କେଉଁଠି ବସିଚି

ଅଙ୍ଗେ ନିଭିଚି କେତେ ଯନ୍ତ୍ରଣା

ବକ୍ଷେ ବହିଚି କେତେ ବଞ୍ଚନା,

ସବୁରି ଭିତରୁ ଫୁଟିଚି କବିତା

ଛୁଟିଚି କବିତା

....କ୍ଷତ ବିକ୍ଷତ

ଦେହେ ମନେ ମୋର

ଖେଳାଇ କି ଅବା

ନବ ଜାଗରଣ

କୁହୁକ ବତ

କବିତା ଭିତରେ ବଞ୍ଚି ରହିଚି

ମୁଁ ଅବିରତ ।

 

ମାନ ସମ୍ମାନ ଗଉରବ ପାଇଁ

କରିନି କରିନି ନିମିଷେ ଦାବୀ

ସେଥିଲାଗି ମୁହିଁ

ଟାଉଟର ପରି

କେତେ ଭିନେ ମୋଡ଼ି ପାରିନି ଚାବି ।

 

କବିତାର ସେଇ ମଧୁ ଅନ୍ତର

ଭିତରେ ମୁଁ ଯେବେ ନିତି ଢଳ ଢଳ,

ତାହା ତହୁଁ ବଡ଼ ଗଉରବ

ମତେ କେ ଦେଇ ପାରିବ ?

 

କବିତାର ହାତ ଧରି ମୁଁ ଚାଲିଚି

ହୋଇନି ଲବେ ମୁ ଇତସ୍ତତ,

ବଞ୍ଚି ରହିଚି କବିତା ଭିତରେ

ମୁଁ ଅବିରତ ।

 

 

ଏଇ ପଥେ ଗଲେ ଚାଲି

()

ହାତ ପାତି କେତେ ଅରକ୍ଷ ଜନ

ଏଇ ପଥେ ଗଲେ ଚାଲି

ଅନ୍ତରେ ବହି ଗଭୀର ବେଦନା

ନୟନୁ ଅଶ୍ରୁ ଢାଳି ।

 

ଗଭୀରୁ ଗଭୀର ପ୍ରାଣର ଦହନ

ଦେଖିଥିବ ଏଇ ପ୍ରାନ୍ତର ବନ

ବୁକୁ ତଳ କେତେ ସଞ୍ଚିତ ଆଶା

ନ ଥିବେ କେ’ ବୁଝି ପାରି,

ହାତ ପାତି କେତେ ଅରକ୍ଷ ଜନ

ଏଇ ପଥେ ଗଲେ ଚାଲି ।

(୨)

ଜୀବନର ମିଠା ଚାଖିବା ପାଇଁକି

ନ ଥିବେ ସେ କେତେ ଲୋଡ଼ି

କିଏ କାହିଁ ଗଲେ ନିସ୍‌ପେଷଣର

ଭିତରେ ଯେ ଜଳି ପୋଡ଼ି ।

 

ଭାଙ୍ଗି ପଡ଼ିଚି ସୁନୀଳ ସଉଧ

ମଉଳି ପଡ଼ିଚି କନକ ବଉଦ

ଭଗ୍ନ ପ୍ରାଣର ବିରାଟ ସମାଧି

ରହିଚି କେବଳ ପଡ଼ି,

ଜୀବନର ମିଠା ଚାଖିବା ପାଇଁକି

ନଥିବେ କେ କେତେ ଲୋଡ଼ି ।

 

(୩)

କେତେ ଯେ ଦୈନ୍ୟ କେତେ ଅତୃପ୍ତି

ଜାଗିଚି କା’ ବୁକୁ ତଳେ

ମରିତ ଯାଇଚି ଅନ୍ତର ହାସ

ସୀମାହୀନ କଲବଲେ

ଶୁଷ୍କ ରୁକ୍ଷ ମଳିନ ବିବଶ

କାହା ଓଠେ ନାଇଁ ଟିକେ ମଧୁହସ

ସେ କେଉଁ ରୁଦ୍ଧ କାରାଗହ୍ୱରେ

ଥିଲେ ଅବା ନିଭିଗଲେ

କେତେ ଯେ ଦୈନ୍ୟ କେତେ ଅତୃପ୍ତି

ଜାଗଚି କା’ ବୁକୁତଳେ ।

 

(୪)

ଦିନ ଦିନ ଧରି ଉପବାସ କରି

କଟିଚି କାହାର କାଳ

ରୋଗ ଓ ବ୍ୟାଧିରେ ନୟନୁ କାହାର

ନିଭିନାଇଁ ଲୁହ ଧାର

ଯଉବନ କାର ପାଲଟିଚି ଜରା

ମରଣ ଦୁଆରେ କେ ଦିଏ ହାଜରା

ଲାଗିଚି କାହାରେ ମହା ଦୁର୍ବହ

ବିରାଟ ଏ ସଂସାର

ଦିନ ଦିନ ଧରି ଉପବାସ ରହି

କଟିଚି କାହାର କାଳ ।

 

(୫)

ଏ ମାଟି ନୁହଇ ଖାଲି ଜଣକର

ନୁହେ ତା’ ପବନ ପାଣି

ଅସୀମ ପ୍ରାଣର ସମ୍ପଦ ସେ ଯେ

ରହିଅଛି ଦିବା ଯାମୀ

ସବୁରି ଲୀଳାରେ ହେବ ଲୀଳାୟିତ

ଶୁଣିବ ସବୁରି ଅନ୍ତର ଗୀତ

 

କାନ୍ଦୁଚି ଦେଖି ଜଣ ଜଣକ

ନିର୍ମମ ସୟତାନି

ଏ ମାଟି ନୁହଇ ଖାଲି ଜଣକର

ନୁହେ ତା’ ପବନ ପାଣି ।

 

ଗୋପବନ୍ଧୁ ଟିଏ ହେବ ?

ମନ୍ତ୍ରୀ ହେବ, ନେତା ହେବ, ଲାଗିଚ ବାଡ଼ିଆବାଡ଼ି

ଗୋପବନ୍ଧୁଟିଏ ହେବ କେହି ତ ଯାଉନ ଭାଳି ?

ଦୀନ ଓ ଦରିଦ୍ର ଯହିଁ ମରେ ପତ୍ର କୁଡ଼ିଆରେ

ତା’ ପାଖେ ନ ଯାଇ କିମ୍ପା ଯାଅ ଦିଲ୍ଲୀ ଦରବାରେ ?

ରାସ୍ତାର ଫକୀର ହେବ, ପ୍ରଜା ଝାଳବୁହା ଧନ

ପ୍ରଜା ଲାଗି ସଂପି ଦେବ କେହି ତ କରୁନ ପଣ ?

ନିର୍ବାଚନେ ହାରିଗଲେ ତୁମକୁ ଯେତିକି ବାଧେ

ଜାତିର ଦୁଃଖରେ ତୁମ ପ୍ରାଣ କି ଟିକିଏ କାନ୍ଦେ ?

ମନ୍ତ୍ରୀ ହବା ନେତା ହବା ଅଥବା ସଦସ୍ୟ ହବା

ସେ ଲାଗି କି ଧରାଧରି ଲାଞ୍ଚ ମିଛ ଦବା ନବା !

ସେ ଲାଗି କି ଷଡ଼ଯନ୍ତ୍ର ଗ୍ରାମେ ଗ୍ରାମେ ପୁରେ ପୁରେ

ତୁମ ସେବା ତୁମେ କର ଦେଶ ସେବା ବହୁଦୂରେ ।

ଯେତେ ନେତା ଯେତେ ମନ୍ତ୍ରୀ ଯେତେ ସେ ସଦସ୍ୟଦଳ

ଅଜସ୍ର ପଇସା ଢାଳି ଭୋଟ ଲାଗି ଯୁଦ୍ଧ କର ।

ଦେଶ ପାଇଁ, ଜାତି ପାଇଁ ଧରକିହେ ଯୋଦ୍ଧୃ ବେଶ

ନାମ ନବ ଦାମ ନବ ନୁହେ ତୁମ ସେ ଉଦ୍ଦେଶ ?

ବକ୍ଷ ତଳେ ସେଇ ଲକ୍ଷ୍ୟ କି ବିରାଟ କକ୍ଷ ରଚେ

ନିଜ କଥା ଆଗ, ଦେଶ କଥା ହେବ ପରେ ପଛେ ।

ଆଜିର ଭିକାରି କାଲି ମନ୍ତ୍ରୀ ହେଲେ ନେତା ହେଲେ

ପରଦିନ ରାଜ ହର୍ମ୍ୟ ଠିଆ ଯେ ଭୁବନେଶ୍ୱରେ ।

ଦୀନ ଦୁଃସ୍ଥ ଜନତାର ଏଇ ପ୍ରତିନିଧି ତମେ

ଛଳନାର ପ୍ରତିମୂର୍ତ୍ତି ତୁମେ ନିକି ଜଣେ ଜଣେ ।

ଯା’ ପାଇଁ ଯାଇଚ ତମେ ଯା’ ରକ୍ତ ବିନ୍ଦୁରେ ତମେ

ତାହାରି ଦୁଃଖରେ ତମେ ନାଇଁ ଠିଆ ହେଲ କ୍ଷଣେ ।

ଦେଶର ଜାତିର ତମେ ଜଣେ ଜଣେ ଆତତାୟୀ

ତ୍ରିଭୁବନେ ତୁମ ପାଇଁ ତିଳେମାତ୍ର ଜାଗା ନାଇଁ ।

 

ଆମ ଗାଁ ଦୁବମାଳି

ଆମ ଗାଆଁ ଦୁବମାଳି କରିନି କିଛି ଚୋରୀ

ପୁଲିସି ଡାକିନେଇ ବାଡ଼ାଏ

ଦୁଃଖିନୀ ଭାରିଜାଟି ପକାଇ ଘରେ ତାଟି

ଆଖିରୁ ଲୁହଧାର ଗଡ଼ାଏ

ନିର୍ଦ୍ଦୋଷ ଜନ ଯିଏ

ଯାହାର ନାଇଁ କିଏ

ଖାଇବ ମାଡ଼ ଗାଳି

ଜୀବନ ଯାଉ ଚାଲି

କି ଯାଏ ଆସେ ତହିଁ କଡ଼ାଏ ?

ଆମ ଗାଁ ଦୁବମାଳି କରିନି କିଛି ଚୋରୀ

ପୁଲିସି ଡାକି ନେଇ ବାଡ଼ାଏ ।

 

ଆମ ଗାଁ ଦୁବମାଳି ଥାନାରେ ଅଛି ପଡ଼ି

ଉପାସ ଭୋକେ ପେଟ ଜଳଇ

ଛାଡ଼ୁନି ଥାନାବାଲା, ପଡ଼ିଥା ଆବେ ଶାଲା,

କହୁଚି ଯେତେ ସେହୁ ରଡ଼ଇ

ରୁଲ ବାଡ଼ି ଟେକି

କହୁଚି ଦେବି ସେକି

ତାଟକା ହୋଇ ଚାହେଁ

ମାରନି ମତେ କହେ

କେତେ ସେ ଗୋଡ଼ ତଳେ ପଡ଼ଇ

ଆମ ଗାଁ ଦୁବମାଳି ଥାନାରେ ଅଛି ପଡ଼ି

ଉପାସ ଭୋକେ ପେଟ ଜଳଇ ।

 

ଆମ ଗାଁ ଦୁବମାଳି କହୁଚି ମାରି ମାରି

ଜୀବନେ ମତେ ମାରି ଦିଅନ ।

ମୋ ପିଲେ ଥିବେ ଚାହିଁ ନ ଥିବେ କିଛି ଖାଇ

ନ ଥିଲା ଘରେ ଅଣେ ଦି’ଅଣା

ଆଣିଲେ ମୂଲ କାହୁଁ

ପେଜ ପଖାଳ ଜାଉ

ଖାଇବେ ପିଲେ ମୋରି

କହୁଚି ହାତ ଯୋଡ଼ି

ଚାଲାଣ କରି ଦୂରେ ନିଅନା

ଆମ ଗାଁ ଦୁବମାଳି କହୁଚି ମାରି ମାରି

ଜୀବନେ ମତେ ମାରି ଦିଅନା ।

 

ଆମ ଗାଁ ଦୁବମାଳି ଶୀତରେ ଥରି ଥରି

ରହିଚି ବସି ଥାନା ଦୁଆରେ

ଘରକୁ ଦିଅ ଛାଡ଼ି ମୁଁ ତ କରିନି ଚୋରୀ

କେତେ ସେ କହି ପାଦେ ଜୁହାରେ ।

ତା’ କଥା କାହା କାନେ

ପଶେନି ହେଲେ ଧାନେ

ଯେତେକ ଥାନାବାଲା

ସଇତାନର ଚେଲା-

ହୃଦୟ ଗଢ଼ା କିବା ଲୁହାରେ ?

ଆମ ଗାଁ । ଦୁବମାଳି ଶୀତରେ ଥରି ଥରି

ରହିଚି ବସି ଥାନା ଦୁଆରେ ।

 

ନୋଅଟ୍‌ ବିଡ଼ା ବିଡ଼ା ପକେଟେ କରେ କ୍ରୀଡ଼ା

ଗୋଟାଏ କେସ୍‌ହାତେ ପଡ଼ିଲେ

କି ଦେଶ ରକ୍ଷକ ହେବେ ଏ ଥାନା ଲୋକ

କଳାକୁ ଧଳା କରି ଗଢ଼ିଲେ

ସତ୍ୟ ଓ ସାଧୁତା

ଯା’ ହାତେ ଖାଏ ଜୁତା

ତାହାଠୁ ଦୟା ମାୟା

ପାରିବ ପାଇ ଆହା

ତା ପାଖେ ଠିଆ ହୋଇ ରଡ଼ିଲେ

ନୋଅଟ୍‌ ବିଡ଼ା ବିଡ଼ା ପକେଟେ କରେ କ୍ରୀଡ଼ା

ଗୋଟାଏ କେସ୍‌ ହାତେ ପଡ଼ିଲେ ।

ହୋଟେଲ ଜଳଖିଆ ଖାଇବେ ମାହାଳିଆ

ଦେବେନି ଦୋକାନୀର ବାକି ହେ

କଟାଇ ଦେବେ ସବୁ ଆଉ ତୁ କଣ ନବୁ ?

ଦେଖାଇ ନାଲ୍ ନାଲ୍ ଆଖି ହେ

ଦେଖିଲେ ବସ୍ ଟ୍ରକ୍

କହିବେ ରଖ୍ ରଖ୍

ପାଉଣା ନେବେ ମାରି

ଦେଖାଇ ତେରି ମେରି

ପୂରାନ୍ତି ପେଟ ଠକିଠାକି ହେ

ହୋଟେଲେ ଜଳଖିଆ ଖାଇବେ ମାହାଳିଆ

ଦେବେନି ଦୋକାନର ବାକି ହେ ।

 

ଆମ ଗାଁ ଦୁବମାଳି ଭୋକ ଉପାସେ ସଢ଼ି

ଫେରୁଚି ଘରେ ଚାଲି ପାରୁନି

ମେରୁ ମର୍ଦନ ଟୋକା ନ ଥାଏ କାହିଁ ଧୋକା

ଆଜି ତା’ ହାତଗୋଡ଼ ଚଳୁନି

ଭରମି ଯାଏ ମଥା

ପାରୁନି କହି କଥା

ବରଷକର ମଳୁ

ଉଠିଚି ଅବା ଜରୁ

ସେ ବାଟ ଯାକ କେତେ ପଡ଼ୁନି

ଆମ ଗାଁ ଦୁବମାଳି ଭୋକ ଉପାସେ ସଢ଼ି

ଫେରୁଚି ଘରେ ଚାଲି ପାରୁନି ।

 

ଆମ ଗାଁ ଦୁବମାଳି ଶୁଣୁଚି କାନପାରି

(ତା) ଭାରିଜା କାନ୍ଦୁଚି ବାହୁନି

ନିଠୁର ଥାନାବାଲା କି କଲବଲ କଲା

ତା’ ରଇ କିଆଁ ଜଳି ଯାଉନି ?

ଥିବେ କି ନାଇଁ ପ୍ରାଣେ

ଶୁଣିଲି ନାଇଁ କାନେ

ବାଆରେ ଝୁରି ଝୁରି

ମୋ ଟିକି ଝିଅ ତୂରୀ

କାଲିଠୁ ଆଉ ଭାତ ଖାଉନି

ଆମ ଗାଁ ଦୁବମାଳି ଶୁଣୁଚି କାନ ପାରି

(ତା) ଭାରିଜା କାନ୍ଦୁଚି ବାହୁନି ।

 

ଆମ ଗାଁ ଦୁବମାଳି ତାଟିରେ ହାତମାରି

ଦୁଆରେ ଯେବେ ଆସି ଡାକିଲା

ସତେ ବା ସରସଟା ଆକାଶୁ ଖସିପଡ଼ି

ସେ ମାଟି ଚାଳିଆରେ ଲାଖିଲା

 

ତାଟିଆ ଫିଟୁ ଫିଟୁ

ପିଲାଏ ଗଲେ ଘେରି

ଆସିଲା ପ୍ରାଣ ଫେରି,

ପରାଣ ପ୍ରତିମା ଯେ ଦେଖିଲା

ନିଦୋଷୀ ଜନରେ ମୋ କି ନାରଖାର କରି

ସେ କେଉଁ ଥାନା ବାଲା ରଖିଲା ।

 

ଅଖ୍ୟାତ କବିଟିଏ

(୧)

ଅଖ୍ୟାତ କବିଟିଏ ଏ ମାଟିର ସିଏ ତ

ସେ ଆଜି ଯାଇଚି ଚାଲି, ଛାଡ଼ି ଏଇ ଧରଣୀ

ତାହାଲାଗି କାନ୍ଦେନି କିଏତ ।

ତାହାଲାଗି ଶୋକସଭା

ହୋଇ ନାଇଁ

ହେବ ନାହିଁ ସୃଷ୍ଟି,

ବକ୍ତୃତା ମଞ୍ଚରୁ

ତାହାଲାଗି

ହୋଇନାଇଁ

ହେବନାଇଁ

ବକ୍ତୃତା ବୃଷ୍ଟି ।

କିନ୍ତୁ ସେ ଚାଲିଯିବା ବେଳେ ତାର

ଅନ୍ତିମ ବେଳାରେ

ବିଦାୟ ଧରଣୀ ମୋର

କହିଥିବ,

ଢାଳିଥିବ ଲୁହଟିଏ ହୁଏତ

ଅଖ୍ୟାତ କବିଟିଏ

ଏ ମାଟିର ସିଏତ !

 

(୨)

ଛୋଟ ଛୋଟ ହି କେତେ ଯାଇଅଛି ଲେଖିତ

କିଏ ଦେଖିଥିବ, କିଏ ନ ଥିବ ବା ଦେଖିତ ।

ସବୁବେଳେ ଲେଖେ ପଢ଼େ

କେତେ କଳ୍ପନା ଗଢ଼େ,

ପଲ୍ଲୀ-କୁଟୀର ତଳେ

ଟିକିଏ ଆଲୁଅ କାହିଁ

କେଉଁ ଅଜ୍ଞାତ କଣେ

ଯାଇଅଛି ରଖିତ

କିଏ ଦେଖିଥିବ କିଏ

ନ ଥିବ ବା ଦେଖିତ ।

(୩)

ସାରା ଜୀବନଟା ସିଏ ତାର ଘରକଥା କେବେ ଭାଳେନା

ନିଃସ୍ୱ ସେ ନିଃସ୍ୱ, ଅଭାବର ଅଶ୍ରୁରେ

ଆପଣାକୁ ତିଳେହେଲେ ଆର୍ଦ୍ର ସେ କରେନା ।

ଗୀତ ଲେଖି ଗୀତ ଗାଏ

ଆପେ ଶୁଣେ

କାହାକୁ ବା ଶୁଣାଏ

ସେଇ ତାର ଜୀବନର

ସୀମାହୀନ ସମ୍ପଦ

ଆପେ ଜାଣେ

ଅପରକୁ ଜଣାଏ ।

ଛୋଟ ଫୁଲଟିଏ ପରି

ମୃଦୁ ସମୀରଣେ ଥରି,

କି ଶିରୀ ଦେଇଚି କାରେ

ସେ ତ ଜାଣିପାରେନା

ଅଭାବର ଅଶ୍ରୁରେ

ଆପଣାକୁ ତିଳେହେଲେ

ଆର୍ଦ୍ର ସେ କରେନା

 

(୪)

କାହାର ବା ଲେଖାଟିଏ ଗନ୍ଧ ବରଣ ଧରି,

ଫୁଟିଲେ ଏ ମାଟିରେ,

ଗର୍ବ ଓ ଗଉରବ ଅନୁଭବ କରେ ତାର

ଜୀର୍ଣ୍ଣ ସେ ଛାତିରେ ।

ନାଚିଉଠେ ଦେହମନ

ଅମୃତ ବିଭା ସେ,

ମର୍ମ-ଅତଳ ତଳେ

କି ମୋହନ ସମ୍ପଦ

ପାଉଅଛି ଅବା ସେ ।

ଧରଣୀର ଚାରିଆଡ଼ ଉତ୍ସବମୟ କିବା ଲାଗଇ

କବି ଆଉ କବିତାର ସୀମାହୀନ ମାଧୁରୀ

କବି ଦିନେ କାହା ବୁକୁ ତଳେ ଏତେ ଜାଗଇ ?

କବିଟିଏ କବିଟିଏ କବିଟିଏ ସିଏ ତ

ରସର ଝରଣାଟିଏ

କେଉଁଠାରେ ଫିଟିଲେ

ଗର୍ବ ଓ ଗଉରବ

ଅନୁଭବ କରେ ତା’ର

ଜୀର୍ଣ୍ଣ ସେ ଛାତିରେ ।

 

(୫)

କବିଟିଏ କବିଟିଏ ଅଖ୍ୟାତ କବିଟିଏ

ସଂଗ୍ରାମ କରି କରି ଯାଇଅଛି ଉଭାଇ

ଧନ ଜନ କୋଠାବାଡ଼ି ମାଗିନି ସେ ମାଗିନି

ମାଗିଚି,

ରସର ସମୁଦ୍ର ତଳେ

-ଆପେ ବୁଡ଼ି

ଧରଣୀକୁ ଦେବାଲାଗି ଡୁବାଇ ।

ସାମାନ୍ୟ ହେଉ ପଛେ ଦାନ ତାର

କିବା ଯାଏ ଆସେ ହେ !

ସେ ଯେବେ ଜୀବନେ କାରେ

ମୁହୂର୍ତ୍ତ ପାଇଁ ହେଉ

ଅମୃତ ଧାରେ କେବେ ଭସାଏ ।

ସେଇ ମୋର ପ୍ରିୟ ଆଉ ସେଇ ମୋର ପୂଜ୍ୟ

ତାରି ପୂଜାଲାଗି ଦେବି କିବା ଆଉ ସମ୍ପଦ

ଆପେ ଆପେ ଲୁହଟିଏ ଗଡ଼ିଯାଏ

ପାରେନି ମୁଁ ଦବାଇ

କବିଟିଏ କବିଟିଏ ସଂଗ୍ରାମ କରି କରି

ଯାଇଅଛି ଉଭାଇ ।

ଧରାକୋଟର କବିବଲ୍ଲଭ ଭୁବନେଶ୍ୱର ମିଶ୍ରଙ୍କ ତିରୋଧାନରେ

 

ଏଇଠି ତୁମେ ମୋ ପାଇଁ ଅଛ

ଦେଖୁଚି ସେଇ ଘଣ୍ଟଶିଳା

ଦେଖୁଚି ସେଇ ଶାଳିଆ ନଈ,

ଦେଖୁଚି ସେଇ ଆମ୍ବ ତୋଟା

ସବୁତ ଅଛି ସିମିତି ରହି ।

 

ଦେଖୁଚି ସେଇ କୟାଁ ଗଛ

ତୁମରି ଗାଆଁ ସଡ଼କ ଧାରେ,

ଦେଖୁଚି ସେଇ ଭାଲେରୀ, ନୀଳ-

କାନ୍ଥି ପରି ସେ ଗାଆଁ ଆଡ଼େ ।

 

ଦେଖୁଚି ସେଇ ପଡ଼ିଆ ପଦା

ଦେଖୁଚି ସେଇ ଗହୀର ବିଲ,

ଦେଖୁଚି କେଉଁ ଓସ୍ତ ଡାଳେ

ବସିଚି ସେଇ ଶଙ୍ଖ ଚିଲ ।

 

ଦେଖୁଚି କେତେ ଛାତ୍ର ଦଳ

ଏ ବାଟ ଦେଇ ଆସିବା ଯିବା,

ଦେଖୁଚି ସବୁ ଦେଖୁଚି ସଖା

ସପନ ପରି ଲାଗଇ କିବା ।

 

ଏହାରି ମେଳେ ତୁମକୁ କାହିଁ

ନିମିଷେ ମୁଁ ତ ଦେଖିଲି ନାଇଁ,

ଆସୁବା ଥିବ ଫୁଟାଇ ଛତା

ନୀରବେ କେତେ ରହୁଚି ଚାହିଁ ।

 

ସେ ଓଠ ଭାଷା ଶୁଣିବି କାନେ

ଦେଖିବି ସେଇ ଶୁଦ୍ଧ ହସ,

ଧନ୍ୟ ହେବି ଧନ୍ୟ ହେବି

କେ ଦେବ ସେହି ପୁଣ୍ୟରସ ?

 

ତୁମରେ ବାରେ ଦେଖିବା ପାଇଁ

ନିତି ମୁଁ କେତେ ରହେନି ଚାହିଁ,

ଠିଆ ମୁଁ ହେଲେ ଏ ମାଟି ପରେ

ଖୋଜେ ମୁଁ କେତେ, ଆସିଛ ଅବା ମୋହରି ପାଇଁ ।

 

ଏ ମାଟି ଏଇ ପାହାଡ଼ ନଈ

ଏଇ ସଡ଼କ କୟାଁ ଗଛ,

ସବୁଠି ବୁଲି ଅଟକି ରହେ

ଏଇଠି ତୁମେ ମୋ ପାଇଁ ଅଛ ।

ସାହିତ୍ୟିକ ବନ୍ଧୁ ଜଗନ୍ନାଥ ମହାପାତ୍ରଙ୍କ ଉଦ୍ଦେଶ୍ୟରେ ।

 

ଟେଲିଗ୍ରାମ୍‌

ଟେଲିଗ୍ରାମ୍‌ ! ଟେଲିଗ୍ରାମ୍‌ !

ଲାଦାକର କେଉଁ ଦୂର ସୀମାନ୍ତେ ଯାଇଚି ତାହାର ପ୍ରାଣ ।

ଗାଆଁ ଗୋଟିକରେ ହୁରି ହୋଇଗଲା ଅକାଳ ବଜ୍ର ପରି

ଗାଆଁ ବାଟ ଘାଟ ବନ ପର୍ବତ ଅବା ନଈ ତୁଠ

ସବୁଠି ଏକଇ କଥା-

ମଧୁ ଚମ୍ପତ୍ତି ଯୁଦ୍ଧେ ଯାଇଚି ମରି ।

କିଏ ସେ କହିଲା-କାଲିର ଟୋକାଟା

ଆମରି ପେଟରୁ ଜନ୍ମ ସେ ଥିଲା ହୋଇ,

ଦିଶି ଦିଶି ଯାଏ ସବୁରି ଆଖିରେ

ବଳିଆର ଯୁବା, ଆମ ଏ ଗାଆଁରେ ତା’ଭଳି ନଥିଲା କେହି ।

 

ଆନ କେ କହିଲା ନୟନୁ ତିଆଗି ତପ୍ତ ଲୋତକ ଜଳ

ଯୁଦ୍ଧ ପୋଷାକ ପିନ୍ଧି ସେଦିନ-

ଏଇ ବାଟେ ମୋରେ ପ୍ରଣାମ କରି ସେ ଗଲା,

ଦେଖିଚି ତରୁଣ ସୂର୍ଯ୍ୟ ପରି ତା’ ଦୀପ୍ତି ଯେ ଢଳ ଢଳ ।

ଆନ ଜଣେ କିଏ ବିମର୍ଷଭରେ କହିଲା, ‘ହାଇରେ ଭାଇ’

କେଡ଼େ ନାରଖାରେ, କେଉଁ ଅଜଣାରେ

କେଉଁଠି ନିଭିଲା କାହିଁ,

ଘର କରି ସିଏ କେତେ ସନମାନେ ରହିଥାଆନ୍ତା

ସ୍ରଷ୍ଟା ସହିଲା ନାଇଁ ।’

ଆଉ ଜଣେ କିଏ କହିଲା ଦି’ମାସ ପୂରିନି ତା’ ବିଭାହବା,

ତରୁଣୀ ଭାରିଯା ଜଳୁଚି କୁଟୀରେ ତାର, ଯେ ଭଳି ଗୋଟିଏ ପ୍ରଭା ।

ସେ ଯେ କାହା ମୁହଁ ଚାହିଁ କିଭଳି କାଟିବ କାଳ,

ଯୁଆଡ଼େ ଚାହିଁବ ଚାରିଆଡ଼େ ତାକୁ ଦିଶିବତ ଅନ୍ଧାର ।

ଯଉବନ ମଧୁହସ ଓଠରୁ ତାହାର ଫୁଟି ଫୁଟି ଯିବାବେଳେ

କିଏ ସେ କାହିଁକି କେଡ଼େ ନିର୍ମମେ ଦେଲା ଏ ବଜ୍ରମାଡ଼ ?

ଟେଲିଗ୍ରାମ୍‌ ! ଟେଲିଗ୍ରାମ୍‌ !

ଲାଦାକର କେଉଁ ଦୂର ସୀମାନ୍ତେ ଯାଇଚି ତାହାର ପ୍ରାଣ ।

 

(୨)

ଟେଲିଗ୍ରାମ୍‌ ! ଟେଲିଗ୍ରାମ୍‌ !

କିଭଳି ତାହାର ପରିଣୀତା ବାରବଧୂ ଦେଖିବ ଶୁଣିବ

ଭାବିଦେଲାବେଳେ ଶୀତେଇ ଉଠୁଚି ସକଳର ଦେହ ମନ ।

ଦେଖିଲା ଶୁଣିଲା ଧଇଲା କାଗଜ ଗୋଟି,

ଚାହିଁଲା ତାହାର ସମ୍ମୁଖେ ଉଭା ଜନତା ଲକ୍ଷ କୋଟି,

ଥରିଲା ତା ହାତ ! ଥରିକି ଉଠିଲା ?

ବୁଜିହୋଇଗଲା ସତେ କି ତା’ ନୀଳ ଆଖି ?

ଧରଣୀ ଉପରେ ଢଳିକି ପଡ଼ିଲା

ଜୀବନର ମାୟା ନିମିଷକେ ନାଇଁ ରଖି ?

ନାଡ଼ି ତଳେ ତଳେ ରକ୍ତ-ପ୍ରବାହ ହେଲାକି ଶିଥିଳତର,

ମୂର୍ଦ୍ଧନା ତାର ଫାଟି ଫାଟି ସତେ ଗଲା ?

କା’ଲାଗି ରହିବ ? କି ଲାଗି ରହିବ ?

ଜୀବନର ଏଇ ସ୍ୱର୍ଣ୍ଣ ବୟସେ କି ମଧୁ ପିଇବ ?

ରଚିବ ତାହାର ଜୀବନର ରାଜଗଡ଼ ।

ନିର୍ବାକେ ଖାଲି ରହିଲା ରହିଲା ଚାହିଁ

ଟେଲିଗ୍ରାମର ସେ ରକ୍ତ-କାଗଜଟିକ

ତାର ପ୍ରିୟତମ ହୃତ୍‌ପିଣ୍ଡକି ତା ପାଖେ ଆସିଚି ଧାଇଁ ?

ଟେଲିଗ୍ରାମ୍‌ ! ଟେଲିଗ୍ରାମ୍‌ !

ପରିଣୀତା ତା’ର ବରବଧୂ କାନେ କି ଅବା ମନ୍ତ୍ର ଦିଅ

ତୁମେ ଏକା ଖାଲି ଜାଣ ।

 

 

(୩)

ଟେଲିଗ୍ରାମ୍‌ ! ଟେଲିଗ୍ରାମ୍‌ !

କରୁ ସେ କାଢ଼ିଲା କାଚ କଙ୍କଣ, କପାଳୁ ପୋଛିଲା ସିନ୍ଦୂର ଚିତା

ଦାଉ ଦାଉ ଯାହା ଜଳୁଥିଲା ଅବିରାମ ।

ପାଦୁ ପାଦବଳା କଲା ସେ ବାହାର,

ବୀର୍ଯ୍ୟବତୀ ସେ ବାଳିକା କାହାର ?

ଆପଣାକୁ ଆପେ ବିଧବା ସେ କଲା

କନକ ଗଉର ଅଙ୍ଗୁ ତାହାର ସବୁ ଓହ୍ଲାଇ ଦେଇ

ହସିଲା ହସିଲା ଆହୁରି ହସିଲା

ପାଗଳିନୀ ପରି ଦଶଦିଶ ଚମକାଇ ! !

‘‘ହେ ମୋର ବଂଧୁ ! ହେ ମୋର ସୋଦର, ମୋର ଆତ୍ମୀୟ ଜନ !

କାତର ହେଉଚ, ବିକଳ ହେଉଚ, ଅସ୍ଥିର ତୁମେ ହୋଇ ବି ପଡ଼ୁଚ

ମଧୁ ଚମ୍ପତ୍ତି ମରିଯାଇଅଛି ବୋଲି

ଯେତେବେଳେ ମୋର ଫୁଟନ୍ତ ଯଉବନ !

ମଧୁ ଚମ୍ପତ୍ତି ମରିଯାଇ ନାହିଁ ଜାଲ ଜୁଆ ଚୋରିକରି

ମଧୁ ଚମ୍ପତ୍ତି ମରିଯାଇ ନାଇଁ

ଚୋରି ଡକାୟତି ଧନରେ ତାହର କନକ ହର୍ମ୍ୟ ତୋଳି

ମଧୁ ଚମ୍ପତ୍ତି ମରିଯାଇ ନାଇଁ

ବରବାଦ୍‌ କରି ଦେଶର ଜାତିର ଝାଳ ବୁହା ସଂପତ୍ତି !

ମଧୁ ଚମ୍ପତ୍ତି ମରିଯାଇ ନାଇଁ

ଟାଉଟର ସାଜି ଲକ୍ଷ ଲକ୍ଷ ନିରୀହ ଜନର କରି ଅମାନୁଷ କ୍ଷତି;

ମଧୁ ଚମ୍ପତ୍ତି ମରିଯାଇ ନାଇଁ

ଚାକିରୀ ଉପରି ଉପୁରି ପାଉଣା ପାଇ

ମଧୁ ଚମ୍ପତ୍ତି ମରିଯାଇ ନାଇଁ କା’ର ଦି ପଇସା ଖାଇ ।

ମଧୁ ଚମ୍ପତ୍ତି ଭାରିଜା ତାର ମୁଁ-

ରହିଥିଲା ଦିନେ ଏ କୁଡ଼ିଆ ଘରେ

ଖାଇ ସାମାନ୍ୟ ଶାଗ ପେଜ,

(ଆଜି) ସେ କେଉଁ ସୁଦୂର ଲାଦାକ ପାହାଡ଼ ତଳେ

ମଧୁ ଚମ୍ପତ୍ତି ଚିରଦିନ ପାଇଁ ଶୋଇପଡ଼ିଅଛି

ବିରଚି ମରଣ ଶେଯ !

ଜାତି ପାଇଁ ତାର ଦେଶ ପାଇଁ ତାର

ବୀର ବିକ୍ରମେ ଲଢ଼ି

ସଚା ସୈନିକ ପରି-

ପଲ୍ଲୀର ଏଇ ବାଳିକା କପାଳେ ଏହା ତହୁଁ ବଳି

କିବା ଗଉରବ ଥାଏ ?

ଜାତିକି ଦେଇଚି ଜୀବନ ତାହାର

ଜାତିକି ତାହାର କାଙ୍ଗାଳ କରି, ଭିକ୍ଷୁକ କରି-

କ୍ଷତ ବିକ୍ଷତ କରି, ବଞ୍ଚିନି ସିଏ କେବେ ବଞ୍ଚିନି ସିଏ ।

ଟେଲିଗ୍ରାମ୍‌ ! ଟେଲିଗ୍ରାମ୍‌ !

ଦେଶ ପାଇଁ ଯିଏ ପାଗଳ ପାରିଚି ହୋଇ

ମୃତ୍ୟୁ ଯେ ତାର ଜୀବନର ବୀଣାତାନ ।

(୪)

ମୋର ଦୂରେ ଅବା ପାଖେ, ଊର୍ଦ୍ଧ୍ୱେ, ନିମ୍ନେ

ମୋର ଭିତରେ ବାହାରେ, ମୋର ଚାରିଆଡ଼େ

କିଏ ମୋରେ ଆଜି କରିଯାଏ ଖାଲି-

ଟେଲିଗ୍ରାମ୍‌ ! ଟେଲିଗ୍ରାମ୍‌ !

‘‘ତୋ’ ଦେଶ ମାଟିର ଚାରିଆଡ଼େ ଯେବେ

ଜାଗ୍ରତ ସୟତାନ

ପିଇକି ପାରିବୁ ମୁକ୍ତି ମଦିରା, ଗାଇକି ପାରିବୁ

ମୁକ୍ତିର ମଧୁଗାନ ?

ଆଗ୍ନେୟଗିରି ଅଗ୍ନି ପରାଏ ଜଳିବାକୁ ହେବ ତତେ

ଜାଳିବାକୁ ହେବ ବଇରୀର ଯେତେ ବୀଭତ୍ସ ଅଭିଯାନ ।’’

ତିଆଗି ଏ ମୋର ସାମାନ୍ୟ ଗୃହ କଣ,

ମୋ ବିରାଟ ଦେଶର ପ୍ରତି ଆତ୍ମାରେ

ଗୋଳି ହୋଇ ଯିବି, ବୋଳି ହୋଇ

ଶତ୍ରୁର ଶିରେ ପଦାଘାତ କରି ଚାଲିବି ଚାଲିବି-

ଡାକେ ମୋତେ ଡାକେ ମୋ ଦେଶର ଗିରିବନ ।

ମୋ ଦେଶର ଯେତେ ବାଳକ-ବାଳିକା

ଯୁବା-ଯଉବନୀ, ପ୍ରାଜ୍ଞ, ଅଜ୍ଞ

ଧନୀ-ଦରିଦ୍ର, ଯେତେ ଯହିଁ ବଡ଼ସାନ

ସବୁରି ପ୍ରାଣର ନିଃଶ୍ୱାସ ଧାରା ଭିତରେ ମୁଁ ଦେବି

ମଧୁ ଆଶ୍ୱାସ ଢାଳି

ବକ୍ଷ ପାତି ମୁଁ ରଖିବି ଆବୋରି

ଆକାଶରୁ ଯେବେ ବଜ୍ର ପଡ଼ିବ ଛିଡ଼ି ।

 

ମଡ଼ା ମୁର୍ଦ୍ଦାର ପେଟ ଚିରି ମୁଁ ତ ଜନ୍ମ ନେଇନି

ମଡ଼ା ମୁର୍ଦ୍ଦାର ପରି

ନିଷ୍କ୍ରିୟ ହୋଇ କେବଳ ରହିବି ପଡ଼ି ।

ଶତ୍ରୁ ଚାଲିବ, ମତେ, ତାର ଉଦ୍ଧତ ଚରଣେ ଚକଟି ଦଳି ।

ବିରାଟ ଦେଶର ବିରାଟ ଜାତିର ମୁଁ ଯେ ଏକ ବୀର-ହିଆ,

ଚାହେନା ମୋହର ସ୍ୱାଧୀନ ଶୁଭ୍ର ମାଟି

ବାର ନାରଖାରେ ପଡ଼ିଥିବ କାହିଁ

ପ୍ରତି ମୁହୂର୍ତ୍ତ ଫାଟି ଯାଉଥିବ ତାର ଛାତି ।

ଦେଶ ବଞ୍ଚିଲେ ସବୁ ବଞ୍ଚିଚି ମୋର

ମାନ ସମ୍ମାନ ମଧୁ ବଇଭବ ଜୀବନର କଳରୋଳ

ତାର ଲାଗି ଆଜି ଚାଲିବି ଚାଲିବି

ଆପଣା ଭିତରେ ରୁଦ୍ଧ ହେବିନି ବଦ୍ଧ ହେବିନି ମୁହିଁ

କିଏ ମୋରେ ଆଜି ଦୂରୁ ବହୁ ଦୂରୁ

କରିଯାଏ ଟେଲିଗ୍ରାମ୍‌

ଜାତିର ବିରାଟ ଆତ୍ମା ଭିତରେ

ଫୁଟି ଉଠୁ ତୋର ଜୀବନର ଜୟଗାନ ।’’

 

ତୁମେ କିଆଁ ମାଡ଼ି ଚକଟି ଚାଲ ?

ପ୍ରଜାର ରାଇଜ ପ୍ରଜାର ପୃଥିବୀ ତୁମେ କିଆଁ ମାଡ଼ି ଚକଟି ଚାଲ,

ସୃଷ୍ଟି ଦିଶଇ ସୁନ୍ଦର ଘେନି ପ୍ରଜାର ଉଷ୍ମ ଶୋଣିତ ଧାର ।

ପ୍ରଜାହିଁ ଦେଇଚି ସକଳ ସୁଷମା ନିଖିଳ ପୃଥ୍ୱୀ ଉପରେ ଢାଳି,

ପ୍ରଜାର ହତ୍ୟା ପ୍ରଜାର ଦମନ ପୃଥିବୀ ଉପରେ ବୁଲାଏ କାଳି ।

 

ପ୍ରଜାର ମାଟିରେ ପ୍ରଜାର ବାସନା ପ୍ରଜାର ଶାସନ ଚଳୁ ହେ ଚଳୁ,

ପ୍ରଜାହିଁ ତୁମରେ ଆସନ ଦେଇଚି ଆପଣା ଭିତରୁ ଆପଣା ଦଳୁ ।

ପ୍ରଜାହିଁ ତୁମରେ ସମ୍ମାନ ଦେଲା, ଦେଲା ଗଉରବ ଦେବତା ପରି,

ପ୍ରଜାହିଁ ତୁମର ଅମୋଘ ଅସ୍ତ୍ର ଅତିହିଁ କଠିନ ବଜ୍ର ଭଳି ।

 

ପ୍ରଜା ତୁମ ଶିରେ ମୁକୁଟ ଦେଇଚି ସିଂହ ଆସନ ଗଢ଼ି

ନିଜ ହାତେ ପ୍ରଜା ତୁମକୁ ଗଢ଼ିଚି ଆପଣାରୁ ବଳି ଗର୍ବ ଭରି ।

ପ୍ରଜାର ରାଇଜ ପ୍ରଜାର ପୃଥିବୀ ତୁମେ କିଆଁ ମାଡ଼ି ଚକଟି ଚାଲ,

ସୃଷ୍ଟି ଦିଶଇ ସୁନ୍ଦର ଘେନି ପ୍ରଜାର ଉଷ୍ମ ଶୋଣିତ ଧାର ।

 

ପ୍ରଜାର ରାଇଜ ପ୍ରଜାର ପୃଥିବୀ ତୁମେ କିଆଁ ମାଡ଼ି ଚକଟି ଚାଲ

ବୁକୁରେ ତାହାର ଶାବଳ ପୋତୁଛ, ଶୋଷି ଖାଉଚ ତା’ ମାଂସ ହାଡ଼

ବନ୍ଧୁକ ମୁନେ ପ୍ରଜାକି ମରଇ ? ତୋପରି ଆଓ୍ୟାଜେ ଯାଏକି ଦବି

ବୋମାର କଠୋର ସଂଘାତେ ପ୍ରଜା ଶକତି ଧରାରୁ ଯାଏକି ନିଭି ?

 

କୁଟୀରେ କୁଟୀରେ ପ୍ରଜାର ଶକ୍ତି ଦପ୍ ଦପ୍ ଦପ୍ ଉଠଇ ଜଳି,

ସତ୍ୟ ପାଇଁ ସେ ଅଣ୍ଟା ଭିଡ଼ଇ ସବୁ ଶୃଙ୍ଖଳ ଛିନ୍ନ କରି ।

ଅତ୍ୟାଚାରୀର ଟଳାଇ ଦିଏ, ତା’ ତ୍ରିତଳ ସୌଧ ଥରାଇ ଦିଏ,

ନିଜ ହାତେ ନିଜେ ପୃଥିବୀ ଉପରେ ଆପଣା ଆସନ ତୋଳାଇ ନିଏ ।

 

ଯହିଁ ସେ ଦେଖଇ ସତ୍ୟ ଓ ନ୍ୟାୟ, ଯହିଁ ସେ ଦେଖଇ ମୈତ୍ରୀ ମଧୁ

ସେଇଠି ନମ୍ର ହୁଏ ତାର ମଥା ସେଇଠି ଦେଖେ ସେ ଆପଣା ବନ୍ଧୁ ।

ପ୍ରଜାର ରାଇଜ ପ୍ରଜାର ପୃଥିବୀ ତୁମେ କିଆଁ ମାଡ଼ି ଚକଟି ଚାଲ ?

ବୁକୁରେ ତାହାର ପୋତୁଛ ଶାବଳ ଶୋଷି ଖାଉଚ ତା’ ମାଂସ ହାଡ଼ ।

 

ପ୍ରଜାର ରାଇଜ, ପ୍ରଜାର ପୃଥିବୀ ତୁମେ କିଆଁ ମାଡ଼ି ଚକଟି ଚାଲ ?

ପ୍ରଜାହିଁ ଗଢ଼ିଚି ତୁମ ସଂସ୍ଥିତି ଢାଳି ଆପଣାର ଶୋଣିତ ଧାର ।

ସହିଚି ଭୀଷଣ ଖରା ଓ ବର୍ଷା ସମର ଭୂଇଁରେ ହୋଇଚି ଠିଆ,

 

ତୁମରି ପାଇଁକି ଡେଇଁଚି ଦର୍ପେ ଡହ ଡହ ଡହ ଭୀଷଣ ନିଆଁ ।

ତୁମରି ପାଇଁକି ସକଳ ଦେଇଚି ତିଳ ତିଳ କରି ଜୀବନ କାଟି,

ଜନନୀ ଭଗିନୀ ଜାୟା ବଂଧନ ପାଶୋରିଚି ଲବେ ନ କରି ପାଟି ।

ତା’ର ଏଇ ଦାନେ, ତାର ପୌରୁଷେ ସମ୍ମାନ କିବା ଦେଇଚ ତମେ ?

ହାଣ ମାର କାଟ ଲଗାଇଚ ଆଜି ବଞ୍ଚିବ ହୋଇ ଧରାରେ ଜଣେ !

 

ପରଜା ରାଇଜ ଶ୍ମଶାନ ପରେ କନକ ସଉଧ ତୋଳିବ ପରା !

ପରଜାର ହାଡ଼ ମାଂସ ବିଦାରି କେତେ କାଳ ଜୀଇ ରହିବ ଭଲା ?

ପ୍ରଜାର ରାଇଜ ପ୍ରଜାର ପୃଥିବୀ ତୁମେ କିଆଁ ମାଡ଼ି ଚକଟି ଚାଲ ?

ପ୍ରଜାହିଁ ଗଢ଼ିଚି ତୁମ ସଂସ୍ଥିତି, ଢାଳି ଆପଣାର ଶୋଣିତ ଧାର ।

 

ପ୍ରଜାର ରାଇଜ ପ୍ରଜାର ପୃଥିବୀ ତୁମେ କିଆଁ ମାଡ଼ି ଚକଟି ଚାଲ ?

ଆଗ୍ନେୟଗିରି ଅଗ୍ନିପରାଏ ଜାଗିଚି ପ୍ରଜାର ବେଦନା ଭାର ।

କମ୍ପିତ କରି ଚଉଦ ଭୁବନ ଜାଗ୍ରତ ଆଜି ପରଜାକୁଳ,

ମୁକ୍ତି ପାଇଁକି ମାନବ ଜାତିର ତମର ରାଜୁତି କରିବ ଜୁର ।

 

ନିଜେ ସେ ଗଢ଼ିବ ନିଜର ଆସନ ନିଜେ ସେ ବୁଝିବ ନିଜର ବ୍ୟଥା,

ନିଜ ଅନ୍ୟାୟେ ନିଜକୁ ଦୋଷିବ ନିଜେ ସେ କହିବ ନିଜର କଥା !

କୁକ୍‌କୁର ପରି ତୁମ ପାଦତଳେ ପଡ଼ିରହିବନି ଅଇଁଠା ଚାଟି,

ସହିବନି ଆଉ ଶତ ଲାଞ୍ଛନା, ଶତ ପରାଭବ ନିଠୁର ଲାଠି ।

ତୁମର ଆସନ ଧ୍ୱଂସ କରିବ ବଂଶ କରିବ ନିପାତ ଆଜି

ପ୍ରଜାର ରାଇଜ ପ୍ରଜାର ପୃଥିବୀ ଧରାରେ ଉଠିବ ସ୍ୱର୍ଗସାଜି ।

ପ୍ରଜାର ରାଇଜ ପ୍ରଜାର ପୃଥିବୀ ତୁମେ କିଆଁ ମାଡ଼ି ଚକଟି ଚାଲ ?

ଆଗ୍ନେୟଗିରି ଅଗ୍ନିପରାଏ ଜାଗିଚି ପ୍ରଜାର ବେଦନା ଭାର ।

 

କଳ୍ପିତ ଚିତାଗ୍ନି

କାହାର କଳ୍ପିତ ଶବ ପୋଡ଼ିଦେଇ ଗଲେ କେଉଁମାନେ ?

ଜଳୁଚି ଚିତାଗ୍ନି ତା’ର ଦେଖୁଚି ମୁଁ ବସି ଏଇ ଥାନେ ।

ସମସ୍ତେ ବି ଦେଖୁଛନ୍ତି ରାଜପଥେ ଯାତ୍ରୀ ଅଗଣନ

କା’ହାତ ଯାଉନି ବାରେ କରିଦେବା ଲାଗି ନିର୍ବାପନ ।

ଜଳୁଚି ସେ, ଜଳୁ ଜଳୁ ଆହୁରି ଆହୁରି ଜଳୁ ଶିଖା ମେଲି ତା’ର,

ତା’ରେ ଚାହିଁ ରହିବାରେ ନହୁଏ କା’ ବୁକୁତଳେ ଦୁଃଖର ସଂଚାର ।

ପଡ଼ିରହୁ ସେ ପାଉଁଶ, ପଡ଼ିରହୁ ସେ ଦରପୋଡ଼ା କାଠ,

ସଇତାନି ଲୀଳାର ସେ ଭସ୍ମସ୍ତୂପ, ବୀଭତ୍ସ ବିରାଟ ।

 

ଠିକ୍ ହେଲା ! ଭଲ ହେଲା ! କିଏ କେତେ ଯାଉଚନ୍ତି କହି,

କେ’ ଜଣେ ପକାଇ ପାଣି ନିଭାଉନି ସେ ଜଳନ୍ତା ରଇ ।

କେ’ ଜଣେ କହୁନି ହେଲେ ଜୋର୍ କରି ଏ ରଇ କାହାର,

ମରିଗଲେ ସଇତାନଟାଏ ବୋହିବ କା’ ନେତ୍ରୁ ଲୁହଧାର ?

ଜାତିର ସଂପତ୍ତି ଯିଏ ଲୁଟ୍ କରି ଜାତିଟାକୁ କରିଚି କାଙ୍ଗାଳ

ଜାତିର ବୁକୁରେ ଯିଏ କୁନ୍ତ ମାରି ବୁହାଇଚି ଶୋଣିତର ଧାର

ଦବାଇ ରଖିଚି ଯିଏ ଦେଶଟାକୁ କ୍ଷମତା ଓ ଟଙ୍କାର ବଳରେ

ତାର ମୃତ୍ୟୁ ତା’ର ଶେଷ ଖୋଜେନିକି

ଏ ପାଣି ପବନ ଜନ୍ମ ଜନ୍ମାନ୍ତରେ !

 

କାହାର କଳ୍ପିତ ଶବ ପୋଡ଼ିଦେଇଗଲେ କେଉଁମାନେ

ଜାତିର ନାୟକ ଯିଏ ବଞ୍ଚିବାକୁ ହେଲେ ଜାତି ପ୍ରାଣେ-

କି ବିରାଟ ତିତିକ୍ଷାର ହେବ ସିଏ ଜୀବନ୍ତ ବିଗ୍ରହ,

ପ୍ରତି ଧମନୀରେ ତାର ଦେଶର କଲ୍ୟାଣ ନାଚୁଥିବ ଅହରହ !

ଦଳବାନ୍ଧି ସୀମାହୀନ ଦୁର୍ନୀତିର ଆଶ୍ରୟ ଭିତରେ

କେମନ୍ତେ ପାରିବ ବଞ୍ଚି ? କେବେହେଲେ ଥରେ

ଦସ୍ୟୁ ପରି ପଡ଼ିବ ସେ ଧରା । ସହସ୍ରର ଜୀବନ୍ତ ଆଖିରେ

-ଧୂଳି ଦେଇ ବର୍ତ୍ତିଯିବା ଏଡ଼େ କି ସହଜ ଏଇ ଧରିତ୍ରୀ-ମାଟିରେ ?

କିଏ ସିଏ ଦୁର୍ବିନୀତ ସାରା ଦେଶ ଚତୁର୍ଦ୍ଦିଗେ ଜଳୁଚି ତା’ ରଇ,

ଏଭଳି କଳଙ୍କ ଘେନି କିଭଳି ସେ ପ୍ରାଣ ଘେନି ପାରିଚି ବା ରହି ?

-କେଉଁ ବିଳେ ? ଏଭଳି ବଞ୍ଚିବାଠାରେ ଜାଣେନା କି ରହିଚି ସମ୍ମାନ ?

ଧନ ମୋହ, ଆସନ ଓ କ୍ଷମତାର ମୋହ

ମଣିଷକୁ ପାଲଟାଇ ଦିଏ ସଇତାନ ।

 

କାହାର କଳ୍ପିତ ଶବ ପୋଡ଼ି ଦେଇ ଗଲେ କେଉଁମାନେ ?

ଚିତାଗ୍ନି ଦେଖିଲେ ଯା’ର ଖୁସି ଲାଗେ ଆଶ୍ୱସ୍ତି ବି ଖେଳିଯାଏ ପ୍ରାଣେ ।

ସିଏ ପୁଣି ଜନତାର କର୍ଣ୍ଣଧାର ! ଉଚିତ କି ନୁହେ ଆଜି ତାର

ଛାଡ଼ ସେ ତରଣୀ ମଙ୍ଗ ଚାଲିଯିବା ? କିନ୍ତୁ କୁଳାଙ୍ଗାର

ଜାତିର ଦେଶର ଯିଏ ହେଲେ ମଧ୍ୟ ରସାତଳଗାମୀ

ଚେତନା ଆସେନା ତାର, ସଏତାନି ପରେ ସଏତାନି-

କରି କରି ଲୋଡ଼ିହୁଏ, ରହି ସେ ପାରିବ ତା’ ଆସନ କରି ଦୃଢ଼ତର,

ସକଳର କ୍ଷମା ଅଛି କ୍ଷମା ନାଇଁ ଜାତି ଜୀବନରେ ଯିଏ

ଚିରଦିନ ଆସିଅଛି କରି ବିକ୍ଷତ ବିକଳ ।

 

କାହାର କଳ୍ପିତ ଶବ ପୋଡ଼ି ଦେଇ ଗଲେ କେଉଁମାନେ

ସେ ରଇ ଗଲାଣି ନିଭି ପାଉଁଶ ପଡ଼ିଚି ଏଇ ଥାନେ ।

ମୁଁ ଦେଖୁଚି, ଦେଖୁଚି ଏ ଦେଶଟାର ପାହାଡ଼ ପ୍ରାନ୍ତର

ଏ ଦେଶର ଇତିହାସ ଦେଖୁଥିବ, କହୁଥିବ ଯୁଗଯୁଗାନ୍ତର-

ଦେଶକୁ ଯେ ପାଇନାଇଁ ଭଲ ଦେଇ ତାର ଶୋଣିତର କଣା

ଦେଶର କଣାପଇସାଏ ଏ ଦେଶର ରକ୍ତବିନ୍ଦୁ ନୁହେଁ ଯାର ଜଣା

ଦେଶର ହସଖେଳ ଗର୍ବ ଗୌରବରେ

ବୁକୁ ଯାର ଉଠେନାଇଁ ଫୁଲି,

ଦେଶର ପାହାଡ଼ ପ୍ରାନ୍ତର ନଦୀନଦୀ ଦେଖି

ପ୍ରାଣ ଯା’ର ଉଠେନାଇଁ ପୂରି,

 

ଦେଶର ପ୍ରତିଟି ଜୀବନ ତା’ ନିଜର ଯିଏ ନାଇଁ ଅନୁଭବେ

ଯାର ରକ୍ତମାଂସ ମେଦ ଅସ୍ଥିତଳେ ଦେଶ ଆତ୍ମା ଜଳେ ନାଇଁ ଲବେ,

ସେଇଭଳି ପ୍ରାଣହୀନ ଅର୍ଥଗୃଧ୍ନୁ ହାତେ ଥୋଇଦେଲେ ଦେଶ ଭାଗ୍ୟଡୋରି

ଦେଶଟାକୁ ପଳ ପଳ କରି ନିମିଷକେ ଖାଇଯିବ କୋରି ।

 

ବସିରହିଚି ମୁଁ

ସେଇ ହ୍ରଦର ଆରପାରରେ ସବୁଜ ଅରଣ୍ୟାନୀ

ଓ ଆକାଶ ସ୍ପର୍ଶୀ ତୁଙ୍ଗ ଗିରିମାଳା

ହ୍ରଦର ଏ ପାରରେ

ଗୋଟିଏ ପ୍ରସ୍ତର ଆସ୍ତରଣ ଉପରେ

ମୁଁ

ହ୍ରଦର ବକ୍ଷ ଉପରେ ନୀଳ ନିର୍ମଳ ତରଙ୍ଗ ମାଳା

ନାଚିଉଠୁଚି କେଉଁ ଯାଦୁକରର

ଅଙ୍ଗୁଳି ସଂକେତରେ !

ଗୋଧୂଳି ଆକାଶର ସ୍ପର୍ଶ ଚତୁର୍ଦ୍ଦିଗରେ

ବିଚ୍ଛୁରିତ,

ହ୍ରଦର ଏପାରରେ ଗୋଟିଏ ପ୍ରସ୍ତର ଆସ୍ତରଣ ଉପରେ

ବସିରହିଚି,

ମୁଁ ।

 

ଗୋଧୂଳି ଉଭାଇ ଯାଇନାଇଁ ପଶ୍ଚିମ ଆକାଶରେ

ଜହ୍ନି ଫୁଟିନାଇଁ

ଚାରିଆଡ଼ ଶାନ୍ତ ସ୍ଥିର, ଊର୍ମିର କଳତାନ ଓ ନୃତ୍ୟ

ମୋ ପାଖରେ, ମୋ ଅନତିଦୂରରେ କେହି ନାଇଁ

ହ୍ରଦର ଏପାରରେ

ଗୋଟିଏ ପ୍ରସ୍ତର ଆସ୍ତରଣ ଉପରେ

ବସିରହିଚି

ମୁଁ

ସେଇ ଗିରିଶ୍ରେଣୀ, ସେଇ ଅରଣ୍ୟାନୀ କେତେ ନିକଟତର

ହ୍ରଦର ବକ୍ଷ ଉପରେ ସେଇ ସୀମାହୀନ ଊର୍ମିର ନୃତ୍ୟ

-ସିମିତ ଲାଗି ରହିଚି; କିଛି ଉଭାଇ ଯାଇନାଇଁ

ମତେ ଏ ମୋହନ ପରିବେଶ ଭିତରକୁ

ଆଣିଲା କିଏ ?

କହି ପାରିବି ନାଇଁ ।

ହ୍ରଦର ଏ ପାରରେ ଗୋଟିଏ ପ୍ରସ୍ତର ଆସ୍ତରଣ ଉପରେ

ବସି ରହିଚି

ମୁଁ

ସୀମାହୀନ ନୀରବତା ଭିତରେ ଏ କି ଦିଆ ନିଆ ।

କିଏ କାହାକୁ ଚାହିଁ ଚାହିଁ କେତେ

ଆପଣାର କରିନିଏ ।

ସେଭଳି ଆପଣାର କରିବାରେ

ବାଧା ନାଇଁ, ବନ୍ଧନ ନାଇଁ, ଶୃଙ୍ଖଳ ନାଇଁ ।

ଜୀବନ ଯେଉଁଠି ମୁକ୍ତ

ସେଇଠି ତାର ଦାନ କି ବିରାଟ ! କି ବିସ୍ତୃତ ।

ହ୍ରଦର ଏ ପାରରେ ଗୋଟିଏ ପ୍ରସ୍ତର

ଆସ୍ତରଣ ଉପରେ

ବସି ରହିଚି

ମୁଁ

 

ଦିଗନ୍ତର ସେଇ ଶ୍ୟାମଳ ଗିରିମାଳା ଓ ସବୁଜ ବନଭୂଇଁ

ହ୍ରଦର ସେଇ ତରଙ୍ଗ ମାଳାର ନୃତ୍ୟ

ସେଇ ଗୋଧୂଳିର ଶାନ୍ତ ଶୀତଳ ଛାୟା !

ଜାଣେନା ଏ ସମସ୍ତରୁ ବିଚ୍ଛିନ୍ନ ହୋଇ

ମୁଁ କେତେବେଳେ

କୁଆଡ଼େ ଯିବି ।

ପୃଥିବୀରେ ମତେ ଏତେ ନିଜର କରି

କିଏ ଡାକିପାରିବ

ପ୍ରାଣର ବିପୁଳ ଐଶ୍ୱର୍ଯ୍ୟ ଦେଇ

କିଏ ଏତେ ଜାକିଧରିବ ?

ମୋ ପାଇଁ ଏତେ ପ୍ରସନ୍ନ !

ଏତେ ଜାଗ୍ରତ !

ଏତେ ଉତ୍‌ଥଳ !

ଏତେ ଉଚ୍ଚାଟ !

ସେଇ ହ୍ରଦର ଏ ପାରରେ

ଗୋଟିଏ ପ୍ରସ୍ତର ଆସ୍ତରଣ ଉପରେ

ବସି ରହିଚି

ମୁଁ

୨୫।୧୦।୬୪ ତାରିଖ ରାତିରେ ଏଇ ଲେଖକ ଗୋଟିଏ ସ୍ୱପ୍ନ ଦେଖିଥିଲେ । ସେଇ ସ୍ୱପ୍ନଟି ଏଇ କବିତାରେ ରୂପାୟିତ ହୋଇଚି ।

 

କବି ମାନସିଂହ

ଠିକ୍ କଥା କେ’ କହିବ ଆଜି ଏ ଜାତିର କାନେ

ମାନସିଂହ ଯେବେ ହାୟ ନିଭିଚି ସୁଦୂର ଥାନେ ।

ମାନସିଂହ କଥାପାଦ ଟିକିଏ ଶୁଣିବା ଲାଗି

କାନ ଡେରି କିଏ କେତେ ରହି ବା ନ ଥିଲ ଜାଗି ?

ହା, ହୁତାଶ ଲାଗେନି କି ? ସେ ଓଠର ପଦେ ବାଣୀ

ଯେତିକି ଶୁଣିଚ ତହୁଁ ଆଉ ଶୁଣିପାରିବାନି ।

ସମସ୍ତେ କହିବେ କଥା ସକଳର ଅଛି ଜିହ୍ୱା

ମାନସିଂହ କଥାରେ କେତେ ହୃଦୟର ଦିଆନିଆ ।

ସମସ୍ତେ କହିବେ କଥା ଅଛି ପୂର୍ଣ୍ଣ ଅଧିକାର

ତା’ କଥା ପଦିକ କିପାଁ ମରମେ ପକାଏ ଗାର ?

କି ବିଶାଳ ଅନୁଭବ ଭିତରୁ ସେ କଥା ଫୁଟେ

ସେ ପୂର୍ଣ୍ଣ ରସନା ଆଜି ଅଙ୍ଗାର ପାଉଁଶ ମୁଠେ ।

ଠିକ୍ କଥା କେ’ କହିବ ଆଜି ଏ ଜାତିର କାନେ

ମାନସିଂହ ଯେବେ ହାୟ ଫେରିବନି ଏଇ ଥାନେ ।


ଏ ପାଖେ ଚିଲିକା ଆଉ ଆର ପାଖେ ମହୋଦଧି

ସେ ପାଖେ ଭାଲେରୀ ନାସି ତା’ ତଳେ ଶାଳିଆ ନଦୀ ।

ଏଇଠି ଜନମ ତାର, ତାର ଆଦି ଲୀଳା ଖେଳା

ସ୍ୱପ୍ନର ଅଞ୍ଜନ ଏଠି ତା’ ଚକ୍ଷେ କେ ବୋଳି ଦେଲା ।

ବକ୍ଷେ ତାର କେ’ ଆଣିଲା ଅମୃତର ଜାଗରଣ

କଣ୍ଠେ ତାର କିଏ ଦେଲା କବିତାର ମଧୁସ୍ୱନ ।

ଚିଲିକାର ନୀଳକାନ୍ତ ଢେଉ ପରି କିଏ ତାରେ

ଛଳଛଳ କଳକଳ ଜୀବନର ମଧୁ ଧାରେ-

ଉଚ୍ଛଳ ଉନ୍ନନ କରି ରଖିଲା ଜୀବନ ସାରା

ଓଠରୁ ମରିନି ହସ କଣ୍ଠରୁ କବିତା ଧାରା

ନିଭିନି ନିଭିନି ତାର ଜୀବନର ଶେଷ ଯାଏଁ

ନିଃଶେଷ ହୋଇଛି ସିଏ ଅଶେଷ ସଂପଦ ପାଏ

ରହିଛି ସେ ଏ ମାଟିର ଦିଗନ୍ତୁ ଦିଗନ୍ତ ଧରି

ପୁରପଲ୍ଲୀ ବନ ବିଲ ପାହାଡ଼ ପ୍ରାନ୍ତର ଭରି ।

ପ୍ରଣୟ ପାଗଳ କବି ବସନ୍ତ କୋକିଳ ପରି

ଯେ’ ଗାନ ଗାଇଲ ଥରେ ଯୌବନ ଉଠିଲା ଥରି ।

ପ୍ରାଣର ଅନନ୍ତ ମାୟା ଜଣେ କାହିଁ ଜଣକରେ

ଢାଳି ଦେବା ଲାଗି କେତେ ନିଃସଙ୍କୋଚେ ଅକାତରେ ।

ଏ ପରାଣ ଯେତେ ବଡ଼ ତା’ ତହୁଁ ଆହୁରି ବଡ଼

ତା’ ତହୁଁ ଆହୁରି ପ୍ରିୟ କିଏ କାହା ଜୀବନର

ପ୍ରାଣେ ପ୍ରାଣେ ତଡ଼ିତ୍‌ର ସ୍ପନ୍ଦନ ଉଠିଲା ମାତି

ଖୋଜିଲା କେ ବା’ ଛାତିରେ ମିଶାଇ କାହାର ଛାତି-

 

ବାହିନବ ତରୀ ତାର ଏକାନ୍ତେ ସୁଦୂର ପାରେ

ସ୍ୱପ୍ନମୟ ଧରାତଳ ସୃଷ୍ଟି କରି ଚାରିଆଡ଼େ ।

ଫୁଟାଇଲା କେତେ ଫୁଲ ଛୁଟାଇଲା ସଉରଭ,

ରହିଅଛି ରହିଥିବ ପୂରି ଏ ଧରଣୀ ନଭ ।

ପ୍ରଣୟ ଜୀବନ୍ତ ଯହିଁ ଜୀବନ ଜୀବନ୍ତ ତହିଁ

ସ୍ୱଚ୍ଛ ସ୍ରୋତସ୍ୱତୀ ପରି ଯାଏନିକି ବହି ବହି ।

 

ଜାତି କହ ବର୍ଣ୍ଣ କହ ଧର୍ମ କହ ସମାଜର

ସବୁ ଲାଗେ ମଣିଷର ସଇତାନି ଖେଳଘର ।

ତାର ଉତ୍ପାଟନ ଲାଗି ମାନସିଂହ ସିଂହ ପରି

ତାହାରି ଅମୃତ ଗାନେ ଦେଇନି କି ସିଂହ ରଡ଼ି ?

 

ହେ ମୋର ବିରାଟ ଜାତି, ହେବ ଯେବେ ମହୀୟାନ୍

ତୁମରି ଭିତରୁ ତୁମେ ଜାଗି ଉଠ ଭଗବାନ ।

ଶୁଣିଛ କି କାନ ପାରି ତାର ସେ ମୋହନ ବାଣୀ ?

ଜାତିକି କରିବା ଲାଗି ବିରାଟ ସେ ଦିବାଯାମୀ

କିଭଳି ସାଧନା ତାର ! କିଭଳି ସଂକଳ୍ପ ତାର,

ଯେତେ ଯାହା ଚାଲବାଜି, ଜୁଆଚୋରୀ କାରବାର-

 

ଭିତରେ ବିରାଟ ହେବା ସ୍ୱପ୍ନ ସେ ନାହିଁଟି ଦେଖି

ପକ୍ଷ ହୀନ ପକ୍ଷୀ କେବେ ଆକାଶକୁ ବେକ ଟେକି

ରହିଲେ ବି ନୀଳିମାର ଅନନ୍ତ ବସାରେ ଉଡ଼ି

ପାରିବ ସେ ? ରହିଥିବ ରହିଥିବ ଏ ମାଟି କାମୁଡ଼ି ।

 

ଭାଷାର ସତୀତ୍ୱ ଲାଗି ସଂଗ୍ରାମ କରିଛି ସେହୁ,

ବରଷ ବରଷ ଧରି ରକତ ନିଗାଡ଼ି ଦେହୁ ।

ସବୁ ସେ ପାରିବ ସହି, ସହିପାରିବନି ବାରେ

ତା’ ଭାଷାର ଅପମାନ ହେବ ଯେବେ କେଉଁଠାରେ ।

 

ସବୁ ସେ ପାରିବ ଦେଖି, କିନ୍ତୁ ପାରିବିନି ଦେଖି

ତା’ ଭାଷାର ବିକଳାଙ୍ଗ ରୂପ କିଏ ଦେଲେ ଲେଖି ।

ସମ୍ମାନର ଜୟମାଲ୍ୟ ଦେଇଛି ସେ ତାରି ଗଳେ,

ତା’ ପାଟି ଓଠର ଭାଷା ଯାହା ଲେଖନୀରୁ ଝରେ

ଅମୃତ କଣିକା ପରି ସେଇ ତାର ପ୍ରିୟଜନ

ଯା ସୃଷ୍ଟିରେ ଅନୁଭବେ ତା’ ପାଟିରେ ସେ ସ୍ପନ୍ଦନ ।

ଆଘାତ ଉପରେ କେତେ ଆଘାତ ପାଇଛ ସେହି

ସିଂହ ପରି ସବୁ କିନ୍ତୁ ପାରିଛି ତ ସେ ଆଡ଼େଇ ।

ମହା ମେରୁ ପରି ସିଏ ରହିଛି ଅଚଳ ଟାଣ

ପ୍ରକୃତ କବି ହିଁ ବୁଝେ ତା’ ଭାଷା ମର୍ଯ୍ୟାଦା ମାନ !

 

ଏଡ଼େ ବେଗି ଚାଲିଗଲା ଛାଡ଼ି ତାର ପ୍ରିୟ ମାଟି

ଆଉ କଣ କହିଥାନ୍ତା ପଡ଼ି ଯେ ଆସିଲା ପାଟି ।

ସେ ଶେଷ ପବନ ଧାରା ମୁହୂର୍ତ୍ତକେ ଗଲା ଉଡ଼ି

ପ୍ରିୟ ପରିଜନ ଯେତେ ରହିଲେ ଲୁହରେ ବୁଡ଼ି ।

ଆଉ କଣ କହିଥାନ୍ତା ଆସୁଥିଲା କହି କହି

ସେଇ କଣ୍ଠ ତଟେ ହାୟ ଗଲା ସେ ଅଟକି ରହି ।

ନିଃସଙ୍ଗ ବନ୍ଦୀଟି ପରି କବିର ଅନ୍ତିମ ବାଣୀ

ଜାତିର କି ମହାଧନ ଆଉ ଫୁଟି ପାରିଲାନି ।

କି ବିରାଟ ଅଭିପ୍ରାୟ ଜାତି ପାଇଁ ଥିବ ତାର

ଅନନ୍ତ ଶୂନ୍ୟରେ ନିଭିଗଲା ତା’ ପବନ ଧାର ।

ଜାତି-ପ୍ରାଣ ଦେଶ-ପ୍ରାଣ-ପ୍ରିୟ କବିଟିଏ ସେହି

ହେ ଜାତି, ଗୋଟିଏ ଅଶ୍ରୁ ତା’ ଚିତା ତଳପେ ଦେଇ

କର ତାରେ ଅନୁଭବ କର ଏକ ନମସ୍କାର

ଜାତିର କବିଠୁ ବଳି କିଏ ଏତେ ଆପଣାର ?

 

ଥିର ହୁଅ

ମନ ଦୁଃଖେ କି ଫେରିଲ କୁଟୀରେ ତମେ ?

ତୁମରି କୁଟୀରେ ଅତିଥି ମୁଁ ହେଲି ନାଇଁ,

ପର କରି ମୁହିଁ ଦୂରେ ରହିଗଲି ବୋଲି

ବିଚାରିଲ କିହେ ଦୂର ଦିଗନ୍ତେ ଚାହିଁ ?

 

ପାଷାଣ ମୁଁ ହେଲି, ତୁମରି ହୃଦୟ ଡାକ

ନ ଶୁଣି ଚାଲିଲି, ଦୂରେ ବହୁଦୂରେ କାହିଁ,

ଭାଳି ହେଉଚି କି କୁଟୀରେ ଏକାକୀ ବସି

ତୁମରି ଗୋଟିକ ଯାକ ହୋଇ ମୁହିଁ ନାଇଁ ?

 

ଅନୁରୋଧ ମୋର ଅନୁରୋଧ ତୁମ ପାଖେ

ନୟନୁ ଝରାଇ ତପ୍ତ ଲୋତକ ବାରି,

ଭାଳି ହେବ ନାଇଁ; ତୁମରି ହୋଇ ମୁଁ ଅଛି

ଧାନେ ହେଲେ ସଖା ବଦଳି ଯାଇନି ପାରି ।

 

ଧାନ ବିଲ ମାଳେ ତୋଟା ପଡ଼ିଆରେ ମୁହିଁ

ତୁମ ତୁଲେ କେତେ ବୁଲିଚି ଉଷତ ମନେ,

ଚାଉଳ ଭଜା ଓ ମୁଢ଼ି ଅଣ୍ଟିରୁ ନେଇ

କେତେ ତ ଖାଇଚି ସୋଦର ସୋହାଗ ପଣେ !

ଜର ରୋଗେ କାହିଁ କତରା ଘୋଡ଼ାଇ ହୋଇ

ଶୋଇ ରହିଥିଲେ, ତୁମେ ଶେଯ ପାଖେ ଆସି,

କପାଳେ ବୁଲାଇ ତୁମରି କଅଁଳ କର

ଦୁଃଖ ଦହନ ପାରିଛ ତ ଆଶ୍ୱାସି !

 

ଖୋଜିଅଛ ମତେ ଦୂର ପରବାସୁ ଫେରି

ଶୁଣିବାକୁ ମୋର ପରାଣ କାହାଣୀ ଟିକ,

ସୁଖେ ଓ ଦୁଃଖେ ତୁମେ ତ ଏକଇ ସାଥି

ତୁମ ବିନେ କିଏ ଲାଗେ ମୋର ସମଧିକ !

 

ତୁମରେ ତିଆଗି ଦୂରେ ମୁଁ ପାରିନି ଯାଇ

ଯାଇ ପାରିଲେ ମୁଁ ନିଜରେ ହତ୍ୟା କରି,

ଅସ୍ତିତ୍ୱ ମୋ ହରାଇ ଦେବଇଁ ସିନା

ପ୍ରାଣହୀନ କେଉଁ ଗୋଡ଼ି ମାଟି ପରି ପଡ଼ି ।

 

ସଜଳ ନୟନେ ତୁମେ କି ରହିଚ ଚାହିଁ,

ପୋଛିଦିଅ ପତି ଲୋତକ ଲୋଚନୁ ତବ,

ଡାକେ ଏତେ ଦୂରୁ; ସବୁ ମୁଁ ପାରିବି ହୋଇ

ହୃଦହୀନ ହୋଇ ପାରିବା ଅସମ୍ଭବ ।

 

ଧରାରେ ଏପରି କିଛି ବଡ଼ଲୋକି ନାଇଁ

ମୋରେ ଯେ ଛିନ୍ନ ତୁମଠୁ ପାରିବ କରି,

ବଞ୍ଚି ରହିଚି ଏ ମୋର ଜୀବନଟିକ

ତୁମ ଭଳି କେତେ ହୃଦୟ ପରଶ ଧରି ।

 

ତୁମେ କି ଭାଳୁଚ ତଥାପି ଭାଳୁଚ ଏବେ

ସକଳ ଭାଳେଣି ପୋଛିଦିଅ ଭାଳୁ ଭାଳୁ,

ପଡ଼ିରହିଥିଲେ ମଡ଼ା ମୁର୍ଦ୍ଦାର ପରି

ବଞ୍ଚି ଉଠିବି ତୁମରି ଚାହାଣୀ ତଳୁ ।

ଥିର କି ହେଲଣି ? ଥିର ହୁଅ ! ଥିର ହୁଅ !

ମୋରେ କି ବାନ୍ଧି ପାରିବ କା’ ଅନୁଗ୍ରହ,

ଅନ୍ଧ କରି ମୋ ନିର୍ମଳ ବେନି ଆଖି

ଜୀବନକୁ କରି ଦୁର୍ବହୁ ଦୁର୍ବହ ।

 

ନିରାଶେ ରହିଚ ? ସକଳ ନିଆଶା ଛାଡ଼ି

ସଜ ଫୁଲ ପରି ପ୍ରସନ୍ନ ହୁଅ ତମେ,

ଧନ ସମ୍ପଦ ମୋ ପାଦ ତଳର ଦାସ

ଜୀବନ ଫୁଲର ପୂଜାରୀ ମୁଁ ଖାଲି ଜଣେ ।

 

ଯେତେ ଛୋଟହେଉ

ମୁକ୍ତିର ମିଠା ପିଇବାର ଲାଗି

ତା’ ଭିତରେ ଜଣେ ରହିଅଛ ଜାଗି

କହୁନି ସେ ସିନା କଥା,

ଛୋଟ ଛୋଟ ସିଏ ଛୋଟ ହୋଇପାରେ

ତା’ ହାଡ଼ ମାଂସ ଶୋଣିତର ଧାରେ

କି ମହା ଜୀବନ ଦେଉଅଛି ଡାକି

ତୁମେ ତ ବୁଝୁନ, ତୁମେ ତ ଦେଖୁନ

ଦେଖିବାର ଲାଗି ଫିଟୁନି ତୁମର

ନିର୍ମମ ଆଖିପତା ।

 

ତା’ ପାଇଁ ଧରଣୀ ନୁହେଁ ପ୍ରସାରିତ ?

ତା’ ପାଇଁ ନ ବହେ ସାଗର ସରିତ ?

ତା’ ପାଇଁ ଫୁଟେନି ଫୁଲ ଫଳ ଲତା ?

ତା’ ପାଇଁ କହେନି ବନ ବିଲ କଥା ?

ଚାହେନି ତା’ ବୁକୁତଳେ

ଯେତେ ଛୋଟ ହେଲେ

ରଚିବ ସେ ଏଥି

ଜୀବନର ଖେଳଘର ।

 

ବାତ୍ୟା ପରାଏ ଯାଉଚ ଗୋଡ଼େଇ

ହତ୍ୟା କରିବ ବାଡ଼େଇ ବାଡ଼େଇ

ଜୀବନ ବିକଳେ ଏଣେ ତେଣେ ବୁଲେ

ପଶିଯିବ କେଉଁ ନିଭୃତ ବିଳେ

ସାହା ଭରସା କେ’ ନାହିଁଛି ତାହାର

ଆଶ୍ରୟ ହୀନ ସେ’ ଯେ ଏକବାର

ଅଶ୍ରୁ ନିଗାଡ଼ି

ଜୀବନ ଭିକ୍ଷା

ହୁଏତ ମାଗୁଚି ସେଇ,

ଜାଣିବାର ଲାଗି ଏ ଟିକକ ହାୟ

ତୁମରି ଭିତରେ

କିଛିନାଇଁ, ନାଇଁ କେହି ।

ସୁନ୍ଦର ତାର ଗୋଲ ଗୋଲ ଆଖି

ସକରୁଣେ କେତେ ଚାହେଁ ଡାକି ଡାକି,

ଆଖି ପିଛୁଳାକେ ଦେବ ତାରେ ମାରି

ଲାଞ୍ଜ ସେ ଟେକି କହେ ଠାରି ଠାରି,

 

ହତ୍ୟା କରନା ମତେ,

ଛାଡ଼ି ଦିଅ ମୁହିଁ

ଚାଲିଯିବି

ମହା ଧରଣୀର କେଉଁ ପଥେ ।

ତାର ଏ ଯେ ମହା କାକୁତି ମିନତି

ତାର ଏ ଯେ ମହା ମଉନ ପ୍ରଣତି

ତୁମରି ପାଷାଣ ହିଆ ତଳେ ତଳେ

କମ୍ପନ ହେଲେ ଆଣେନାଇଁ ଥରେ ?

କିଏ ତମେ ଜଣେ ଜଣେ

ଜାଣିନ ଜାଣୁନ

ଜାଣିବି ପାରୁନ

ଜୀବନ ନବାଠୁ

ଜୀବନ ଦେବାରେ

କି ମହା ଜୀବନ ଝରି ପଡ଼େ ଏଇ

ଧରଣୀର ଅଂଗନେ ।

 

ମହା ସ୍ରଷ୍ଟାର ଶିଳ୍ପ ଗୋଟିଏ

ତମ ଆମ ପରି ତା ପାଇଁ ମାଟି ଏ

କେଉଁ ଚାଳତଳେ କେଉଁ ବିଲ ହିଡ଼େ

ରହିଥିବ ସିଏ ତାର ଛୋଟ ନୀଡ଼େ

ତା’ ପିଲା କବିଲା ତାର ପରିବାର

ତୁମରି ଆଖିକୁ ନ ଦିଶୁ ପଛକେ

ମମତାର କିବା ମହା ପାରାବାର !

ଫଳମୂଳ ଧାନ ଖୁଦା ଯୋଡ଼େ ଗୋଟେ

ସେଇ ସଂଚୟ ସେଇ ତାର ଧନ

ତୁମରି ଆଖିରେ ନୁହେଁ କିଛି ମୋଟେ

ଚରି ବୁଲି କାହିଁ କରେ ଆହରଣ

ତୁମେ କି ପାରୁନ ଦେଖି ?

 

ନିତାନ୍ତ ସିଏ ଛୋଟ ହୋଇପାରେ

ସଂଗ୍ରାମ କରି ଚାଲିଚି କିଭଳି

ଜୀବନରେ ଜୟଯାତ୍ରା-

ଧରଣୀ ଭାଲ ପଟେ

ଲେଖି ଲେଖି ।

 

ଖୁମ୍ପି କିପରି ଖାଏ ଫଳମୂଳ

ଡାଳୁ ଡାଳେ ଡିଏଁ କିବା ଖେଳୁଆଡ଼

ହସି ଉଠେ ଏଇ ବିଲ ବନଭୂଇଁ

ଚଳଚଞ୍ଚଳ ତା ପରଶ ଛୁଇଁ

ଏ ବଣ ପଡ଼ିଆ ଏଇ ଲଟା ବୁଦା

ସବୁଠି ସେ ବୁଲେ ମାରି କେତେ କୁଦା

ନାଇଁ ତା’ ପରୁଆ, ନାଇଁ ତା ଖାତିରି

ରୂପ ରାଇଜେ ତାର ରୂପ ଶିରୀ

ମିଶାଇ ଚାଲିଚି

ଦିନ ଦିନ ଧରି

ସତେ ଅମୃତ ଝରଣାଟି ପରି !

ଯେତେ ଛୋଟ ହେଉ

ଚାହିଁରହ ତାରେ

ଚାହିଁ ରହି ଚାହିଁ ରହ,

ପାରିବ ସେ ଦେଇ

ଶତ ସପନର

ଅମୃତ ପରିଚୟ ।

 

ଦିଅ ତାରେ ଛାଡ଼ି ! ଛାଡ଼ିଦିଅ ତାରେ

ମହା ଧରଣୀର ଅସୀମ ବିସାରେ

ଖେଳିବ ବୁଲିବ ନାଚିବ ଡେଇଁବ

ଚାରିଆଡ଼େ କେତେ ସୋହାଗେ ଚାହିଁବ,

କହିବ କି କଥା କାହା କାନ ତଳେ

ଖୋଜିବ କାହାରେ ରହି ରହି ଥରେ

ବୁଝିବ କାହାର ଯନ୍ତ୍ରଣା ଜାଳା

ନିଭାଇବ କାର ଶତ ଲୁହଧାରା

ମହା ବିଶ୍ୱର ମହାତନ୍ତ୍ରୀରେ

ଯେତେ ଛୋଟ ହେଉ

ଗୋଟିଏ ତନ୍ତ୍ରୀ ସେଇ

ସମ୍ମାନ ଦିଅ ଗଉରବ ଦିଅ

ବାଜି ଉଠୁ ସିଏ

ତା’ ଟିକକ

ଦେଇ ଦେଇ ।

 

ଗମ୍ଭାରିମୁଣ୍ଡା ଛାତ୍ରାବାସର କେତୋଟି ପିଲା ଜନ୍ତାରେ ଗୋଟିଏ ମୂଷା ଧରି ଦୂରରେ ଛାଡ଼ିଦେବା ପରିବର୍ତ୍ତେ ତାକୁ ମାରିଦେବାକୁ ଉଦ୍ୟତ ହେଉଥିଲେ । ସୁନ୍ଦର ମୂଷାପିଲାଟିକୁ ନମାରି ଟିକିଏ ଦୂରରେ ଛାଡ଼ିଦେବା ପାଇଁ କବି ପିଲାମାନଙ୍କୁ ନିର୍ଦ୍ଦେଶ ଦେଲେ । ଏହାରି ଉପରେ କବିତାଟି ଲେଖାଯାଇଚି ।

 

ଭିକ୍ଷାଶୀ ଡାକେ ଦୂରେ

ଭଲ ନାଇଁ ଲାଗେ ଦଉଚ ଯା’ ଖାଇବାର

ଥରି ଉଠେ ହାତ ବାର ବାର ପ୍ରତିବାର

କିଭଳି ଖାଇବି ପାଟିକି ଯାଉନି ହାତ

କାହିଁକି ବାଢ଼ୁଚ ଆଉ ବେଶି ବେଶି ଭାତ

ଚାହିଁ ମୁଁ ବସିଚି ତୁମ ଏ କୁଟୀର ପୁରେ

ଭିକ୍ଷାଶୀ ଡାକେ ଦୂରେ ।

 

ଟିକିଏ କଅଣ ତୁଣ୍ଡରେ ଦେଲେ ଥୋଇ

ମନଟା କାହିଁକି ହୋଇ ଉଠେ ବିଦ୍ରୋହୀ

ଖାଅ ମାଛଭଜା ଖାଅ ମାଂସର ଝୋଳ

କାହିଁକି କହୁଚ କରି ଏତେ ଏତେ ଯୋର

ଚାହିଁ ମୁଁ ବସିଚି ତୁମେ ଏ କୁଟୀର ପୁରେ

ଭିକ୍ଷାଶୀ ଡାକେ ଦୂରେ ।

 

କି ମଧୁ ସୋହାଗେ କରୁଚ ଚର୍ଚ୍ଚା ମତେ

ପଥିକ ମୁଁ ହୋଇ ପାରୁନି ତୁମରି ପଥେ

ଆଖି ମୋ ଲୁହରେ ହୋଇ ଉଠେ ଛଳ ଛଳ

ଏତେ ରାନ୍ଧଣା ନାଇଁ ଲାଗେ ରୁଚିକର

ଚାହିଁ ମୁଁ ବସିଚି ତୁମ ଏ କୁଟୀରେ ପୁରେ

ଭିକ୍ଷାଶୀ ଡାକେ ଦୂରେ ।

 

ପାୟସ ଦଉଚ ! ଥାଉ ମୋଟେ ଦିଅନାହିଁ

ଟିକିଏ କଅଣ ଖାଇଲେ ପାରୁନି ଖାଇ

ଥୁ ଥୁ କରି ସବୁ ପକାଇ ଦଉଚି ତଳେ

ସବୁ ଅମୃତ ବିଷ ପରି ଲାଗେ ମୋରେ

ଚାହିଁ ମୁଁ ରହିଚି ତୁମ ଏ କୁଟୀର ପୁରେ

ଭିକ୍ଷାଶୀ ଡାକେ ଦୂରେ ।

 

ଆଞ୍ଚୋଇବି ମୁଁ ପାଣି ଦିଅ ପାଣି ଦିଅ

ଦୁଃଖ କରନି ହେ ମୋର ପରାଣ ପ୍ରିୟ ।

ସମ୍ମୁଖେ ମୋର ଯେତେ ଯାହା ଦେଲି ବାଢ଼ି

ସବୁ ମୁଁ ଯାଉଚି ସବୁ ମୁଁ ଯାଉଚି ଛାଡ଼ି

ଚାହିଁ ମୁଁ ବସିଚି ତୁମ ଏ କୁଟୀର ପୁରେ

ଭିକ୍ଷାଶୀ ଡାକେ ଦୂରେ ।

 

ଉଠି ମୁଁ ଯାଉଛି ପାରିବିନି କିଛି ଛୁଇଁ

ବେଶ୍ ଚର୍ଚ୍ଚା କରୁଚ ବୁଝୁଚି ମୁହିଁ

ଏତେ ସମ୍ପଦ ଭିତରେ ମୁଁ ଢଳ ଢଳ

ପାରିବିନି ହୋଇ ଯେଉଁଠି ମୋ ଶୋଣିତର

କ୍ରନ୍ଦନ ମତେ ଶୁଭେ ଏ କୁଟୀର ପୁରେ

ଭିକ୍ଷାଶୀ ଡାକେ ଦୂରେ ।

 

ହେ ମୋର ବଂଧୁ ! କାନ୍ଦି ଉଠେ ମୋ ହିଆ

ଭିତରେ ମୋହର କୁହୁଳୁଚି ଯେଉଁ ନିଆଁ

ନିଭାଇ ପାରିବ ଚର୍ଚ୍ଚା ଆଦର ତବ ?

ମୁଁ ଯିବି, ଯେଉଁଠି ଶୁଭେ କା ଆର୍ତ୍ତରବ

ଚାହିଁ ମୁଁ ବସିଛି ତୁମ ଏ କୁଟୀର ପୁରେ

ଭିକ୍ଷାଶୀ ଡାକେ ଦୂରେ !

 

କାଚ ଥାଳିଆରେ ସିଗାରେଟ୍‌ ଆଉ ପାନ

ଆଣନା ଆଣନା ତୁମକୁ ମୋହର ରାଣ

ରହ ହେ ବନ୍ଧୁ, ପ୍ରେତ ପ୍ରତିମାଟି ପରି

କେ ଠିଆ ହୋଇଚି କି ବିକଳ ରୂପ ଧରି

ଦିଶି ଦିଶି ଯାଏ ତୁମ ଏ କୁଟୀର ପୁରେ

(ସେ ଯେ) ଭିକ୍ଷାଶୀ ଡାକେ ଦୂରେ ।

 

ଲକ୍ଷ ଜନଠି ହାତ ପାତି ପାତି ପାତି

ଏଇ ରାଜପଥେ ଚାଲିଚି ଯେ’ ଦିନ ରାତି

ତା’ ଲାଗି ଆର୍ଦ୍ର ହୋଇ ଉଠେ ମୋର ମନ

ତାର ହୋଇ କିଏ ନାଇଁ ଜଣେ ଦୁଇଜଣ

ତା’ ପାଖେ ଟିକିଏ ଠିଆ ହେବା ପାଇଁ

ଏ ମୋର ପରାଣେ ଝୁରେ

(ସେ ଯେ) ଭିକ୍ଷାଶୀ ଡାକେ ଦୂରେ ।

ଶୁଣିବି ତାହାର ମରମ ତୀବ୍ର ଜାଳା

ତା’ ପାଇଁ ଟିକିଏ ଢାଳିବି ନୟନୁ ଧାରା

ତାର ଅବଶୋଷ କ୍ଷଣିକ ପାଇଁ କି ହେଉ

ନିଭାଇ ପାରିବି ତା’ର ଜଣେ ହୋଇ କେହୁ

ତା’ ପରାଣେ ବଂଶୀ ବାଜିବ ତ ମଧୁ ସୁରେ

(ସେ ଯେ) ଭିକ୍ଷାଶୀ ଡାକେ ଦୂରେ ।

 

ଦି’ଦିନ ତଳେ

କା’ ପାଖେ ବସିଚି ମୁଁ ? ଦି ଦିନ ତଳେ ମୋରେ

କିଏ ସେ କହୁଥିଲା, ଆସିବ ଆଉ ଥରେ’ ।

ଆଣିବି ଅଙ୍ଗୁର ? କିଏ ସେ ମୋରେ ଚାହିଁ

ନୀରବେ କହିଥିଲା, ଇଚ୍ଛା ହେଲେ ତବ

ଆଣିବ ଅବା ନାଇଁ ।

କିନ୍ତୁ ଆଉ ଥରେ ଆସିବ କେବେ ହେଲେ

ସେତିକି କହିଚି ସେ, କହିନି ଆଉ ମୋରେ ।

ସେତିକି କହିଚି ସେ ଆଖିର ଲୁହ ଧାରେ

ଆସିଚି ଆଉ ଥରେ, କା’ ପାଖେ ବସିଚି ମୁଁ

ଖୋଜୁ ତ ନାଇଁ ମତେ

କିଏ ସେ ଆଉ ବାରେ

 

ଦେଖିବା ପାଇଁ ମୋରେ କି ଆଶା ଥିଲା ରହି !

ତ’ ରୋଗ-ଶଯ୍ୟାରେ ଯାଇଚି ଥରେ କହି

ଆଉ ସେ ଦେଖିଲାନି, ଆଉ ସେ ଚାହିଁଲାନି

ତା’ ଶେଷ ନିଃଶ୍ୱାସ ଯିବାର ବେଳେ ହାୟ

ହୁଏତ ଖୋଜିଥିବ ତଳେ ତଳେ

କିଭଳି ଲାଗିଥିବ ବିକଳ ଅସହାୟ ।

 

ସୁଦୂର ପଲ୍ଲୀର ନିଃସ୍ୱ ପଥିକ ସେ

ମୋହରି ଆତ୍ମୀୟ

ପରାଣୁ ବଳି ମୋରେ କେତେ ସେ ଦେଖିପାରେ

ତା’ ଝାଟି ମାଟି ସେଇ କୁଟୀରେ ଗଲେ ମୁହିଁ

କି ମଧୁ ହସଟିଏ

ନୀରବେ ଫୁଟିଉଠେ ତା’ ଓଠ ଧାରେ ଧାରେ ।

ମଥାଟି ନତ କରି ପ୍ରଣତି ଦିଏ ଭରି

ଧରାର ପଥେ ଘାଟେ କେବେ ବା ହେଲେ ଦେଖା

ଆଶିଷ ଦିଏ ମତେ ତା’ ବୁକୁ ଚିରି କେତେ

ସେ ସ୍ମୃତି ରହିଚି ମୋ ମରମ ତଳେ ଲେଖା ।

ପଢ଼ିନି ପାଠ ଶାଠ, ନୁହେଁ ସେ ଧନୀ ଶେଠ

ନ ଥାଉ ପାଠ ଶାଠ, ନ ଥାଉ ଧନ ତାର,

ସେନେହ ମମତାର ଗୋଟିଏ ଝରଣା ସେ

ତା’ ମଧୁତାନ ଟିକ ଅଜାଡ଼ି ଅଜାଡ଼ି ସେ

ନୀରବେ ନିଭିଗଲା, ସେ କେଉଁ ପାରାବାର ।

ଅଭାବ ଦୁଃଖେ ସେ ହୋଇଛି ସନ୍ତୁଳି

ତଥାପି କା’ ଦୁଆରେ ଯାଇନ ହାତ ପାତି

କାହାର ଦି’ ପଇସା

ଦେଇନି ଖାଇ ସିଏ

ପଥର ଭିକାରି ସେ ଜୀବନେ କାହାରେ ତ

କରିନି ରାତାରାତି ।

ଏ ନିଃସ୍ୱ କୁଟୀରର ସେ ଏକ ସମ୍ପଦ

ସେ ମତେ ଧରି ରଖେ ଜୀବନେ ବହୁବାର

ତା’ କଥା ମନେପଡ଼େ ମୁଁ ଯେତେ ଦୂରେ ଥିଲେ

ସେ ହାୟ ଚାଲିଗଲା !

ଦି’ଦିନ ତଳେ ଥିଲା

ମୋରେ ସେ କହିଥିଲା ଆସିବ ଆଉଥରେ

ଟିକିଏ କେବେ ହେଲେ

ଭଙ୍ଗା କଣ୍ଠର ସେଇ ସେ ଅନୁରୋଧ

ଏବେ ମୋ ଅନ୍ତର ଗୋଟିକ ଯାଇ ଛୁଏଁ

ମୁଁ ଏବେ ଆସିଚି ତ

ମୁଁ ଏବେ ବସିଚି ତ

ତା’ପାଖେ ଆସିଚି ମୁଁ ?

କା ପାଖେ ବସିଚି ମୁଁ ?

 

ମୁଁ ଜଣେ ଇତର ମଣିଷ ମନେହୁଏ ।

ନିଃସ୍ୱ ପଲ୍ଲୀର ନିଃସ୍ୱ ଏ କୁଟୀର

ଯେଉଁଠି ହୃଦ ମଧୁ-ସେନେହ ଦିଆନିଆ

ବିହୁନେ

ଆଉ କିଛି ବିଭବ ବଡ଼ ନାଇଁ

ମନେ ହିଁ ଭିଡ଼ି ରଖେ, ପାହାଚ ଅଙ୍ଗନ

ସେ ବାଡ଼ି ସେ ବଗିଚା କଖାରୁ ଶିମ ଲତା

ସବୁରୁ ଝରିଆସେ ଜୀବନ ମୋହ ପାଇଁ ।

ମୁଁ ଯେତେ ବାର ଯିବି ସେ ଗାଆଁ ବାଟ ଦେଇ

ଦେଖିବି ପାଖକେ ତା ଚିଲିକା ନାଚି ଉଠେ

ଊର୍ମୀ ଖେଳ ଖଳି,

ଦେଖିବି ଆର ପାଖେ ସାଧକଟିଏ ପରି

ସେ କେତେ କାଳ ଧରି

ସୋଲରି ଠଆ ନୀଳ ଆକାଶେ ଶିର ତୋଳି,

ମଝିରେ ସେଇ ଗାଆଁ

କୋଷଡ଼ି ତାର ନାଆଁ

ଡାକିବ ନାଇଁ ମତେ

ଖୋଜିବ ନାଇଁ ମତେ

ଟିକିଏ ଠିଆହେବି, ଟିକିଏ କାନ୍ଦିବି

ଅଜଣା ପଥୁକୀଟି ପରି ମୁଁ ଚାଲିଯିବି

ମୋହରି ପଥେ ପଥେ ।

(କବିଙ୍କ ଭଗିନୀପତି ଦୀନବନ୍ଧୁ ଦାସଙ୍କ ବିୟୋଗେ କବିତାଟି ଲେଖା)

 

ବର୍ତ୍ତିକା

ଜଳିଚି ନିଭିଚି, ନିଭିଚି ଜଳିଚି

ଏ ମୋର ଜୀବନ ସାରା

ସହିଚି ସହିଚି ବାଆ ବତାସିର

କେତେ ଯେ ବିଷମ ଭରା ।

ଜଳି ଜଳି ଯେବେ ଆସିଚି ଟିକିଏ

ମନ-ବିନେ ଦନ ଭରେ

ପୁଣି ମୁଁ ଯାଇଚି ନିଭି ସେ’ ଯେ

କେଉଁ ସୁଦୂର ପାତାଳ ତଳେ

ପୁଣି ମୁଁ ଜଳିଚି ହତାଶ ଭିତରେ

ଫୁଟାଇ କନକ ଢେଉ

ଜଳିବି ଜଳିବି କରିଚି ପଣ ମୁଁ

ଯିଏ ଯେତେ ବାଧା ଦେଉ ।

 

ଅଧେ ଜଳି ଅଧେ ନିଭି ନିଭି ଗଲେ

ପୂରା ଜଳିବାର ଲାଗି

ଦିବା ନିଶିଥିନୀ ଚାହିଁ ମୁଁ ବସିଚି

କିବା ଯୋଗୀ ବଇରାଗୀ ।

କିଏ କେତେ ତୋଳି କନକ ଶିଖା ଯେ

ଚାଲିଛନ୍ତି କେତେ ଭଳି

ଟିକି ଶିଖାଟି ମୋ କେତେ ଉଠେ ପଡ଼େ

ଦୀନ ଭିକ୍ଷୁକ ପରି !

 

ବାଧିଚି ବାଧିଚି ବହୁତ ବାଧିଚି

ଜାଣିଲେ ଜାଣିଚି ମୁହିଁ

ଦିଗୁଣ ତେଜେ ମୁଁ ଉଠିଚି ତ ଜଳି

ଦେଖିଚି ଏ ବନଭୂଇଁ !

ଟିକେ ଜଳି ଟିକେ ନିଭିବାରେ ବେଳେ

ଦେଖିଚି ମୋ ଚଲା ପଥେ

ଟାହୁଲି ଟାପରା କରିଚନ୍ତି କିଏ

ଦେଖେଲ ଚୁହେଁଇ ମତେ ।

ସେ’ଦିନ ଯାଇଚି କାଳ ପାରାବାରେ

ଦୂରେ ବହୁ ଦୂରେ କାହିଁ

ଜଳି ଜଳି ଶିଖା ମେଲି ମୁଁ ଚାଲିଚି

ଏ ଶିଖାର ଶେଷ ନାଇଁ ।

ଏଇ ଶିଖା ମୋର ଜଳି ଉଠୁଥିବ

ଯେତେ ଦିନ ଥିବ ତମେ,

ଯେତେ ଦିନ ଥିବ ଏ ମହା ଧରଣୀ

ଯୁଗ ଯୁଗାନ୍ତ କ୍ରମେ ।

କେତେ ଆସୁଥିବେ କେତେ ଯାଉଥିବେ

ଦେଖୁଥିବେ ଆଖି ଆଗେ

ଦାଉ ଦାଉ ଦାଉ ଜଳି ମୁଁ ଉଠୁଚି

ଶିଖା ମେଲି କେତେ ବାଗେ ।

ସବୁରି ପରାଣ ସାହା ସାଥି ପରି

ନିବିଡ଼ ତିମିର ତଳେ

ଘୁରି ବୁଲୁଥିବି, ଖୋଜୁଥିବ ମୋରେ

କିଏ ହେଲେ କେବେ ଥରେ ।

କିବା ଧନୀ ମାନୀ ସଉଧେ କୁଟୀରେ

ସବୁଠି ଦେଖିବ ମତେ

ସକଳର ଲାଗି ପାତିଥିବି ହିଆ

ଜାଗିଥିବି ଅବିରତେ ।