Unknown

ଅମୃତନିଧି ଚଉତିଶା

ଦୀନକୃଷ୍ଣ ଦାସ

ରାଧାଦର୍ଶନ ଚଉତିଶା ପରି ଅମୃତନିଧି ଚଉତିଶା ମଧ୍ୟ ଦୀନକୃଷ୍ଣଙ୍କ ମଧୁର ପ୍ରୀତି-ରସର କବିତା । ପ୍ରେମିକ ଚୂଡ଼ାମଣି ରସରାଜଶେଖର ଶ୍ରୀକୃଷ୍ଣଙ୍କ ପ୍ରେମାମୃତମୟ ହୃଦୟ ଶ୍ରୀରାଧାଙ୍କ ବିମୋହନ ଅଙ୍ଗଲାବଣ୍ୟର କବିଜନୋଚିତ ଅସାର ତୁଳନାରେ ବ୍ୟଥା ପାଇ ଏହି ଚଉତିଶାର ପ୍ରତି ଛତ୍ରରେ ବିଚଳିତ ହୋଇ ବହିଗଲାପରି ବୋଧ ହୁଏ । ଧନ୍ୟ ଘନକୃଷ୍ଣା ଧନ୍ୟ ତୁମ୍ଭର ଭକ୍ତିମୟୀ କବିତା-କଳା ! ଭଗବତ୍‌ କୃପା ବଶତଃ ତୁମ୍ଭର ଜଞ୍ଜାଳକ୍ଳିଷ୍ଟ ହୃଦୟ ବିମଳ ଭକ୍ତି-ରସରେ ଭରପୂର ହୋଇ ନଥିଲେ କବିତାର ଏ ସୁଧାଧାରା ଆଜି ଉତ୍କଳର ମନପ୍ରାଣ ଆପ୍ଳୁତ କରିବାର ସୁଯୋଗ ଘଟି ନ ଥାନ୍ତା।

 

କାଳିନ୍ଦୀକୂଳେ       ରାଧାଙ୍କୁ ଦେଖି

କୃଷ୍ଣ ବୋଲନ୍ତି ରେ ପ୍ରିୟସଖି !

କେ ବୋଲଇ ତୋତେ ପ୍ରଫୁଲ୍ଲ କମଳ

କନକ ଦର୍ପଣ ଚନ୍ଦ୍ରମୁଖୀ ରେ

ପ୍ରାଣସଖି !

କି ତାହାର ଆଜନ୍ମରୁ ନାହିଁ ଆଖି ରେ

କି ତୋ ଭ୍ରୂଭଙ୍ଗୀ ଚାହାଣୀ ନାହିଁ ଦେଖି ରେ

କର୍ଣ୍ଣେ ଏହା ଶୁଣି ହୋଉଥାଉ ଦୁଃଖୀ ରେ

 

ଖଳ ଲୋକଙ୍କର ଖଳ ବୋଲ

କ୍ଷଣେ ହେ ସଂସାରେ ନୋହେ ଭଲ

ଖଞ୍ଜନ୍ତି ପଶ୍ୟ ତୋହର ପ୍ରାୟେ କାଚ

କାଞ୍ଚନ ସଙ୍ଗତେ କରି ତୁଲରେ

ଜୀବଧନ !

ଖୋଜି କହିବି କେତେ ମୁଁ ସେ ବଚନ ରେ

ଖେଦ ଲଭୁଥାଉ ଏହି ଘେନି ମନ ରେ

ଖୀଣୋଦରି ! ତୋ ମୁଖକୁ କେ ସମାନ ରେ

 

ଗୁରୁଯଉବନି ! ଏବେ ଶୁଣ

ଗୁଣିଲେ ତାହାଙ୍କ ଅବିଗୁଣେ

ଗଗନ-ନକ୍ଷତ୍ର ପ୍ରାୟେ ନ ସରିବ

ଅଧିକ କହିବା କି କାରଣ ରେ

ଗୁଣନିଧି !

ଗୁଣି କହିବି ତାହାଙ୍କ ଗତିବିଧି ରେ

ଗଲା ଜଳକୁ ଯେ ପଦ୍ମ ତପ ସାଧି ରେ

ଗାଢ଼େ ଶିଶିର ତାହାକୁ ଦେଲା ବାଧିରେ

 

ଘର୍ମକର-କର-ତାପ ସହି,

ଘୋର ତପସ୍ୟା ବଳରୁ ସହୀ

ଘଟଣ-ଆନନୀ       ଶ୍ରୀଅଙ୍ଗ-ସୁବାସ

ଦେଲା କିଛି ଏବେ ଅଛି ବହି ରେ

ଘନସ୍ତନି !

ଘସ୍ରେ ବିକାଶ ହୁଅଇ ଏହି ଘେନି ରେ

ଘୁଞ୍ଚିଯାଇ ଶୋଭା କାହିଁ ନିଶିଥିନୀ ରେ

ଘଡ଼ି ତ ନ ରହଇ ତା ଘେନାଘେନି ରେ

 

ନିକଷରେ ଆଗ କଷି ହୋଇ

ନିଆଁରେ ଝାସେ ସୁବର୍ଣ୍ଣ ଯାଇଁ

ନରହାତେ ପଡ଼ି ଦର୍ପଣ ହୋଇ ତ

ମନକୁ ତର୍ପଣ କଲା ନାହିଁ ରେ

ନିତମ୍ବନି !

ନିଶ୍ଚେ ନାଶ ଯାଇ ହେଲେ ଅଭିମାନୀ ରେ

ନିସ୍ତରିଲା ତୋହେ ମୁଖ ଛାୟା ଘେନି ରେ

ନୋହୁ କଉଁ କାଳରେ ତୁ ସୁଖଦାନୀ ରେ

 

ଚତୁରୀମଣି ! ତୁ ଶୁଣ ଏବେ

ଚକ୍ରଧର ବେଶ ଧରି ପୂର୍ବେ

ଚ୍ୟୁତ ହେଲା ପୁଣ୍ଡରୀକ ବାସୁଦେବ

ପରାଏ ହୋଇଲା ଚନ୍ଦ୍ର ଏବେ ରେ

ଚଞ୍ଚଳାକ୍ଷି !

ଚାରୁବଦନକୁ ହେବ ବୋଲି ଲଛି ରେ

ଚକ୍ଷୁଆଗେ ହରିଣକୁ ବହିଅଛି ରେ

ଚିତ୍ତମୋହିବା ଚାତୁରୀ ନାହିଁ କିଛି ରେ

 

ଛଟକ ଚାହାଣୀ ଭାବ ତୋର

ଛଇଳ ମୋହନ ସୁଖଘର

ଛାର କରଇ ଯେ ମଦନ ଶରକୁ

ଆଉ କଥା ଅବା କେତେ ଦୂର ରେ

ଛୀଣୋଦରି !

ଛଳି କହି ବସିଲେ ତୋ ନେତ୍ରଶିରୀ ରେ

ଛିଡ଼ିଯିବ ସିନା ଚନ୍ଦ୍ର କଥା ଡୋରୀ ରେ

ଛୀରେ ଘୃତ ପରାୟେ ଯେ ଅଛି ପୂରି ରେ

 

ଯାହା ଚନ୍ଦ୍ରପକ୍ଷେ କ୍ଷୀଣ ହୋଏ,

ଜାଣିଲେ ସେହିଟି ଦଣ୍ଡ ପାଏ

ଯାମିନୀ ଜ୍ୟୋତି ଦିବସରେ ନ ଥାଇ

ତିଥି ଭେଦେ ରାହୁ ଘାତ ପାଏ ରେ

ଜାଣୁମଣି !

ଜଳନିଧିସୁତ ପଣେ ବହି ଆଣି ରେ

ଯାଇଁ ମହାଦେବ ଶିରେ ହୋଏ ମଣିରେ

ଯୋଗ୍ୟ ନୋହିଲେ ନେମାକୁ ମୁଖଠାଣି ରେ

 

ଝସକେତୁସଖା ଭାବେ ଥାଇ,

ଝିମନ୍ତେ ଉପ୍ରୋଧ କରେ ନାହିଁ

ଝାଡ଼ ଅନଳ ଚନ୍ଦନକୁ ଦହିଲା

ପ୍ରାୟେ ପଦ୍ମିନୀକି ନ ତେଜଇ ରେ

ଝଳିଗୋରି !

ଝୁରୁଥାଇ ତୋ ମୁଖକୁ ନୋହି ସରି ରେ

ଝାସଇଟି ପ୍ରତିଦିନେ ସିନ୍ଧୁବାରି ରେ

ଝଗଡ଼ୁଛି ତା ମନକୁ ଅନୁସରି ରେ

 

ନିରନ୍ତରେ ଏକା ଭ୍ରମୁଥାଇ,

ନ ରହଇ କାହିଁ ଥିର ହୋଇ

ନିଶ୍ଚେ ଜାଣିଲି ଯେ ଜନମୁଁ କୁଟିଳ

ନିନ୍ଦାରୁ ତାହାର ଭୟ ନାହିଁରେ

ନତଅଙ୍ଗି !

ନତବ୍ରତଦିନୁଁ ତୋର ମୋର ସଙ୍ଗୀ ରେ

ନାନା ଭାବେ ତୁ ମୋତେ କରିଛୁ ରଙ୍ଗୀ ରେ

ନୁଛି ଯାଇ କି ନା ତୋର ଭୁରୂଭଙ୍ଗୀ ରେ ୧୦

 

ଟେକି ତୁ ଚାହିଁଲେ ଭୁରୁଲତା

ଟଳିଯିବେ ମହା ଊର୍ଦ୍ଧ୍ୱରେତା

ଟେକେ କହୁଛି ଦମ୍ଭକୁ ଅବଲମ୍ବ

କରିବ କେ ଏଡ଼େ ବିବେକତା ରେ

ଟେକସ୍ତନା !

ଟାଣ କବିମାନେ ହୋଇ ଦୁଷ୍ଟମନା ରେ

ଟେକିଥାନ୍ତି କାମଦେବଧନୁ ସିନା ରେ

ଟାହି ପ୍ରାୟେ ତାଙ୍କ ବୋଲି ନୁହଇ ନା ରେ ୧୧

 

ଠାବ କଲି ଏତେ କାଳେ ଆସି

ଠିକେ ଯେ ଜଳରେ ଯାଏ ଭାସି

ଠୂଳ ଭୟେ ସବୁ ଅବଲମ୍ବ କଲା

ପ୍ରାୟେ କବି ହେଲେ ସବୁଭାଷୀ ରେ

ଠାକୁରାଣୀ !

ଠାବ କରି ତୋ ଅଙ୍ଗକୁ ପୁଣ ପୁଣି ରେ

ଠେସି ପକାଇଲି ଏବେ ତାଙ୍କ ବାଣୀ ରେ

ଠିଆ ହେବାକୁ ତାଙ୍କର ନାହିଁ ଆଣି ରେ ୧୨

 

ଡକାଇତ ପ୍ରାୟେ କବିରୀତି

ଡ଼ୋଳେ ଦେଖୁ ଦେଖୁ ନ ଚିହ୍ନନ୍ତି

ଡ଼ାକୁଥାନ୍ତି       ମୋର ଡ଼ୋଳାପ୍ରତିମାକୁ

ଖଞ୍ଜନ-ହରିଣ-ମୀନ-ନେତ୍ରୀ ରେ

ଡୋଳେଶ୍ୱରୀ !

ଡେରି ହୋଏ ରୋମ ଏହା ଶୁଣି କରି ରେ

ଡହେ ଅଙ୍ଗକୁ ସେ ବୋଲ ଯେଡ଼େ କରି ରେ

ଡଙ୍କ ଲାଗିଲେ ନୋହିବ ଏତେ ସରି ରେ ୧୩

 

ଢମ କରି କହୁ ନାହିଁ ସଖି !

ଢାଳି ଅନାଇଲେ ଯଉଁ ଆଖି

ଢୋକିଲା      ଅମୃତ ଆସ୍ୱାଦିଲା ପ୍ରାୟେ

ମନକୁ କରଇ ମହାସୁଖୀ ରେ

ଢ଼ାଳନେତ୍ରି !

ଢାଳେ ତୋହେ ଘେନି ସିନା କାମ ଛତ୍ରୀରେ

ଢମପଣେ ଧରିଥାଇ ଫୁଲପତ୍ରୀ ରେ

ଢାଳିବାକୁ ଦମ୍ଭକୁ ସେ ମହାମନ୍ତ୍ରୀରେ ୧୪

 

ଏ କଥା ନୋହଇ ଅପ୍ରମାଣ

ଆନନ୍ଦ-ଦାୟିନି ! ଏବେ ଶୁଣ

ଅଭିସାର ତୋର ନୋହିଥିଲାକୁ ଟି

ମହାଦେବଠାରେ ଗଲା ପ୍ରାଣ ରେ

ଅଳକିନି !

ଏବେ ତୁ ତାହାର ମୃତ୍ୟୁସଞ୍ଜୀବନୀ ରେ

ଏହି ନୟନଦ୍ୱାରେଟି ତାହା ଚିହ୍ନି ରେ

ଆଉ ଅଛି ନିକି ତୋର ପରା ଦାନୀରେ ୧୫

 

ତୋ ନେତ୍ରତରଙ୍ଗ ହାବ ଭାବ

ତୁଚ୍ଛ ଜୀବ ଛାର କାହୁଁ ହେବ ?

ତେରଛେ ଚାହିଁବା କି କହିବା ଯହିଁ

ବ୍ରହ୍ମାପାଏ କାମ ପରାଭବ ରେ

ତ୍ରିବଳିନି !

ତୋହୋ ନୟନର ଯଉଁ ଘେନାଘେନି ରେ

ତାହା କହିବି କଉଁ ଯୋଗ୍ୟତା ଘେନି ରେ

ତେଡ଼େ ଭାଗ୍ୟ ମୋର କାହିଁ ଅଛି ଧନି! ରେ ୧୬

 

ଥିରାମଧ୍ୟେ ଦମ୍ଭ ହତ ବାନା

ଥିବ ତ ନାହିଁ ଏ ନେତ୍ରବିନା

ଥମ୍ବନ ମୋହନ ବଶ ଉଚ୍ଚାଟନ

ଜାତ କରିବାକୁ ଏହି ସିନା ରେ

ଥିରଗତି !

ଥରେ ଥରେ କରଇ ଏ ଯଉଁ ଗତି ରେ

ଥାଣୁ ଦେଖି କାମେ ହେବ ଛତିବିତି ରେ

ଥାଉ ଆଉ ଲୋକର ବା କେତେ ଥାତି ରେ ୧୭

 

ଦେଖିଲେ ଯେ ହୋଏ ସୁଖକର

ଦେଇ ସିନା ତାକୁ ପଟାନ୍ତର

ଦୂରେ ଥାଇ କବି ବଚନ କହୁଛି

ତୋ ନେତ୍ର ନିଶ୍ଚେ ବୈକୁଣ୍ଠପୁର ରେ

ଦିବ୍ୟଗୋରି !

ଦଇବେହେଁ ତ ବିଷ୍ଣୁର ମନୋହରୀ ରେ

ଦୟାନିଧିଦୟା ଥିଲେ ଦେଖିପାରି ରେ

ଦୁଖ ଅଛି ବୋଲି ମନେ ନ ବିଚାରି ରେ ୧୮

 

ଧଳା କଳା ରଙ୍ଗେ ଶୋଭା ପାଏ

ଧାତା ହରି ହର ସଙ୍ଗ ପ୍ରାୟେ

ଧନ୍ୟ ଧନ୍ୟ ତାର ଜନମର ଭାଗ୍ୟ

ଯାହାର ଏ ଦରଶନ ହୋଏ ରେ

ଧୃତିଧ୍ୱଂସି !

ଧରଣୀରେ ତୋର ନେତ୍ର ପରଶଂସି ରେ

ଧୀର ହୋଇ ଏହା ଚାହୁଁଥିବା ବସି ରେ

ଧର୍ମ-ଅର୍ଥ-କାମ-ମୋକ୍ଷ-ଫଳଦୃଶୀରେ ୧୯

 

ନିରତେ ବଢ଼ାଇ ପ୍ରେମପ୍ରୀତି

ନ ଛଡ଼ାଇ ଅନୁରାଗ ରୀତି

ନିଶ୍ଚେ ଜାଣିଲି ରେ ନୟନ-ପ୍ରତିମା

ତୋ ନେତ୍ର ନାଗରୀ ରସବତୀ ରେ

ନବଯୁବା !

ନାନା ଗତିରୁ ଏ ନୃତ୍ୟକାରୀ ଅବା ରେ

ନୀଳକଣ୍ଠଠାରେ କରି ପୂର୍ଣ୍ଣ ସେବା ରେ

ନିରନ୍ତରେ ଏହି ଶୋଭା ଦେଖୁଥିବା ରେ ୨୦

 

ପଡ଼ିଲେ ଏ ନେତ୍ରେ ନେତ୍ରଗତେ

ପ୍ରତେ ହୋଉଥାଉ ମନେ ଏତେ

ପାକଶାସନ- ସମ୍ପତ୍ତିକି ପ୍ରଶଂସା

କରୁଥାନ୍ତି ଲୋକେ କି ନିମନ୍ତେ ରେ

ପ୍ରାଣମଣି !

ପରମାନନ୍ଦ ସୁଖକୁ ତେବା ଆଣିଲେ

ପ୍ରତିକ୍ଷଣେ ଦହଇ ଏ ନେତ୍ରଠାଣିରେ

ପ୍ରତି ଅଙ୍ଗ ପୁଲକାଇ ପୁଣ ପୁଣିରେ ୨୧

 

ଫୁରୁଛି ମନରେ ଆସି ଯେତେ

ଫେଡ଼ି ତା ଅବା କହିବି କେତେ

ଫାଇ ଲମ୍ବ ପାଇ ତରଙ୍ଗ ଭାବରୁ

କ୍ଷୀରସିନ୍ଧୁ ପ୍ରାୟେ ହୋଏ ପ୍ରତେ ରେ

ସ୍ଫୁଟମୁଖି !

ଫୁଲ୍ଲ ଅରବିନ୍ଦେ ଫୁଲଲିଟ ଦେଖି ରେ

ଫୁରୁଣାରେ ଲକ୍ଷି କବି ହୋଏ ସୁଖୀ ରେ

ଫଳ ଏ ବାହାରେ ଆଉ ନାହିଁ ସଖି ରେ ୨୨

 

ବିବେକ      ଛାଡ଼ଇ      ଯଉଁଜନ

ବଡ ହେଲେ ତାକୁ ବୋଲି ସାନ

ବିଚାରି ବିଚାରି ବୋଲନ୍ତି ତୋ ନେତ୍ର

ଖଞ୍ଜନ ଚକୋର ମୃଗ ମୀନ ରେ

ବରାଙ୍ଗନା !

ବୁକୁ ହାଣି ହୋଏ ଏହା ଶୁଣି ସିନାରେ

ବ୍ରହ୍ମା ଯାହା ଦେଖି ହେବ ହତମନା ରେ

ବଚନରେ ତାହା କରି ଏତେ ଅନା ରେ ୨୩

 

ଭାବ ନ ଜାଣଇ ଯଉଁଲୋକ

ଭଲ ମନ୍ଦ ତାର ହୋଏ ଏକ

ଭୋଖୀ ଭ୍ରମର ଠାରୁ ଜଣାଗଲା ସେ

ଅଧିକ କହିବା କଉଁ ଟେକରେ

ଭାବନିଧି !

ଭାବୁ ଥାଇ ଏହିକଥା ନିରବଧି ରେ

ଭ୍ରମ ହେଲା କାହିଁପାଇଁ ଧାତାବୁଦ୍ଧି ରେ

ଭଲ କଥାରେ ଅଭଲ କଲା ସିଦ୍ଧି ରେ ୨୪

 

ମଦାଳସୀ ମୁଖ ନେତ୍ର ଛବି

ମୋହୋ ବୁଦ୍ଧି କେତେ ମୁଁ କହିବି ?

ମହାଯୋଗୀ ମହାଦମ୍ଭ ଧରାଧର

ମର୍ଦ୍ଦିବାକୁ ଯେହୁ ମହାପବି ରେ

ମନ୍ଦହାସି !

ମନେ ଏମନ୍ତ ସଂପ୍ରତେ ହୋଏ ଆସିରେ

ମନ୍ଦାକିନୀରେ ଯମୁନା ବହେ ମିଶିରେ

ମହାସୁଖ ଉପରେ ଏ ସୁଖରାଶିରେ ୨୫

 

ଯେମନ୍ତ ମୋ ସଙ୍ଗେ ରାମ ଥିଲେ

ଜଗତ ଆନନ୍ଦ ହୋଏ ଭଲେ

ଜଗମୋହନି ! ମୋ ନେତ୍ରକୁ ତୋ ନେତ୍ର

ସେହିରୂପେ ଆଜ ସୁଖ ଦେଲେ ରେ

ଜୀବଧନ

ଯାହା ହୋଉଛି ଏବେହେଁ ମୋହୋ ମନ ରେ

ଯେବେ ସର୍ବଦା ହେବ ତୋ ଦରଶନ ରେ

ଯଦୁବଂଶେ ସମ୍ଭବିବା ମୋର ଧନ୍ୟ ରେ ୨୬

 

ରମଣୀମଣି ତୋ ସ୍ମିତବାଣୀ

ରଙ୍ଗିମା ଅଧର ଦନ୍ତଶ୍ରେଣୀ

ରୁଚି ରୁଚିର ଉଚ୍ଚକୁଚ ପ୍ରଶଂସା

କୁହାଇ ନ ଦେଲା ନେତ୍ର ଆଣି ରେ

ରସିକିନି !

ରାଗବନ୍ତ କୃଷ୍ଣ ଗୁଣ ଭାବ ଘେନି ରେ

ରତି ପକ୍ଷପାତେ ସିନା ହୋଇ ମାନୀରେ

ରାତ୍ର ଦିବସ ଏ ମୋର ସୁଖଦାନୀ ରେ ୨୭

 

ଲଳିତ ଲୋଳ ମହିମା ଯେତେ

ଲକ୍ଷିବାକୁ ଦିଶୁ ନାହିଁ ମୋତେ

ଲୋଭ କରି ମୃଗତୃଷ୍ଣା ତଡ଼ିତକୁ

ବୋଲିବା କଥା ହିଁ ଅବା କେତେ ରେ

ଲୀଳାବତି

ଲାଗିଥାଉ ମୋତେ ଏ ନୟନ-ପ୍ରୀତିରେ

ଲୋକନାଥ କରିଥାଉ ଏହି ମତି ରେ

ଲାଭ ଏ ବାହାରେ ଆଉ ନାହିଁ ଛିତି ରେ ୨୮

 

ବାସୁଦେବ-ସ୍ନେହବାଣୀ ଶୁଣି

ବୋଲେ      ବ୍ରଜବଧୂ-ଶିରୋମଣି

ବେଭାରେ ରସିକ ନାଗର ରସନ୍ତି

ଗୁଣବନ୍ତ ନାରୀ ଭାବ ଆଣି ହେ

ବନମାଳୀ !

ବଡ଼କରି ଯେତେ ସ୍ତିରୀ ଫୁଲ ପାଳି ହେ

ବଢ଼େ ତେତେ ରୂପେ ସୁଖ ଭୋଗ କେଳି ହେ

ବଳି କହିବି ଅବା ତା କେତେ ଭାଳି ହେ ୨୯

 

ସୁମନା ସୁମନ ସୁମନମ

ସବୁ ରୂପେ ଯେବେ କରି ଦୋଷ

ସୁଖ ସମ୍ପତ୍ତି ବହୁତ କରି ଭୋଗ

କରନ୍ତି ବିବେକ ସୁପୁରୁଷ ହେ

ଶ୍ୟାମଘନ !

ସବୁଦିନେ ଥିବ ଏହି ଅବଧାନ ହେ

ସପନେହେଁ ମନେ ନ କରିବ ଆନ ହେ

ସବୁକରି ମାଗୁଛି ମୁଁ ଏହି ଦାନ ହେ ୩୦

 

ସରସ-ସନ୍ଦର୍ଭ-ଗର୍ଭ-ଭାବେ

ସନ୍ତୋଷେ ମେଲାଣି ହୋଅ ଏବେ

ଶ୍ରୀହରି ବୋଲନ୍ତି ସେବକ ଦେବା ତ

ଉଚିତ ନୋହଇ ପ୍ରଭୁଠାବେ ରେ

ସୀମନ୍ତିନି !

ସଙ୍ଗ-ଭଙ୍ଗ ବଡ଼ ହୋଇ ନାହି ହାନି ରେ

ସତ ନ ବଳେ, ନ ଚଳେ ପାଦ ବେନି ରେ

ସୁଧା ବରଷି ବଚନ ସୁଖ ଘେନି ରେ ୩୧

 

ଶ୍ୟାମା ଶ୍ୟାମା ଏକଠାବେ ଦେଖି

ସଖୀ ଡାକିଲା ରେ ପ୍ରାଣସଖି

ଶ୍ୟାମ-ମେଘରେ ତ ଅପୂର୍ବ ଥକିତ

ବିଜୁଳୀ ପରାୟେ ଅଛୁ ଲାଖି ରେ

ସହଚରି !

ଶ୍ୟାମଅଭୟ-ପଞ୍ଜର ଆଶ୍ରେ କରି ରେ

ସବୁ ଭୟକୁ ଦେଲୁ କି ଦୂର କରି ରେ

ଶୀଘ୍ରେ ଆସ ମୁଁ ଗଲିଟି ପରିହରି ରେ ୩୨

 

ହରି ବୋଲନ୍ତି ରେ ଗୋପାଙ୍ଗନା !

ହେଲୁ ତୁ ପବନ ପ୍ରାୟେ ସିନା

ହତ କଲୁ ଘନ ରସ ବରଷିବା

କଉଁ କାରଣରୁ ବକ୍ରମନା ରେ

ହାରାବଳି !

ହାଥୁ ନେଲୁ ମୋ ଅମୃତ ରସାବଳି ରେ

ହୃଦେ ଏହି କଥା ନିକି ଥିଲୁ କଳି ରେ

ହର-ବଇରି ଶରେ ତୁ ହୋଅ ଦଳିରେ ୩୩

 

କ୍ଷଇଳ ଗୋପୀ ହରଷେ ଗଲେ

କ୍ଷେମେ ଗୋପ ପରବେଶ ହେଲେ

କ୍ଷଣଦା କାଳେ ଛଛନ୍ଦେ କୁତୂହଳେ

କନ୍ଦର୍ପ-ଦର୍ପକୁ ବିନାଶିଲେ ସେ

କ୍ଷମାନିଧି

କ୍ଷନ୍ଦି ଗୋପୀ ଅଙ୍ଗେ ଆଭରଣ-ବିଧି ସେ

କ୍ଷତିମଣ୍ଡନୀ ମୋହିନୀ ମନ ବୋଧି ସେ

କ୍ଷେମେ ଦୀନକୃଷ୍ଣ ମନକାମ ସିଦ୍ଧି ସେ ୩୪