ଝୁଲ ଝୁଲ ଫୁଲକୁଞ୍ଜେ କୁଞ୍ଜବିହାରି !
ସଙ୍ଗେ ଘେନି ପ୍ରାଣପ୍ରିୟା ରାଧା ପିଆରୀ । ପଦ ।
ବିଜ ମାରେ ରହି ରହି ବଜ୍ରନାଦେ ଥରେ ମହୀ
ଝର ଝର ଝରିପଡ଼େ ବରଷାବାରି । ୧ ।
ସ୍ୱଭାବେ ବରଷାରାତି କ୍ରୀଡ଼ାବିନୋଦରେ ମାତି
ଝିଁ ଝିଁ ସ୍ୱରେ ଝଙ୍କାରନ୍ତି ବନେ ଝିଙ୍କାରୀ । ୨ ।
ଅଙ୍ଗେଜ୍ୟୋତ୍ସ୍ନା କାଳୀମାଖି କ୍ଷଣେକ୍ଷଣେ ବୁଜେଆଖି
ବହୁଛି ବାତୁଳ ବାୟୁ ହୁ ହୁ ହୁଙ୍କାରି । ୩ ।
ଧୈବତ ସ୍ୱର ଆଳାପ କରନ୍ତି ଭେକକଳାପ
କଣ୍ଠ - ବୀଣାଯନ୍ତ୍ର-ତାର ଦୃଢ଼େ ଟଙ୍କାରି । ୪ ।
ପୂର୍ଣ୍ଣଗର୍ଭା ତରଙ୍ଗିଣୀ କଳକଳ କଲ୍ଲୋଳିନୀ
ଚାଲିଛି ଝୁଲଣଗୀତ ଉଚ୍ଚେ ଉଚ୍ଚାରି । ୫ ।
ପ୍ରକୃତି ରାଣୀଙ୍କ ରାଜ୍ୟେ କୋଟି ନହବତ ବାଜେ
କୋଳାହଳେ କର୍ଣ୍ଣ ଯାଏ କାଲୁଆ ମାରି । ୬ ।
ଭକ୍ତି-ମାଦକରେ ଘାରି ପ୍ରଣବ ମନ୍ତ୍ର ଉଚ୍ଚାରି
ନିଶୀଥେ ତୁମ୍ଭଙ୍କୁ ପୂଜେ ବିଶ୍ୱ-ପୂଜାରି । ୭ ।
ପବିତ୍ର ଓଁ କାର ସ୍ୱର ଧରି ପ୍ରାଣ କଳେବର
ସୃଷ୍ଟି ପ୍ରତି ଲୋମକୂପୁଁ ଆସେ ବାହାରି । ୮ ।
ମାଳତୀ ଗଙ୍ଗଶିଉଳୀ ସୁବାସ ଉଠେ ଉଛୁଳି
ଫୁଲ ନିଃଶ୍ୱାସରେ ବାୟୁ ହୋଇଛି ଭାରୀ । ୯ ।
ପୁଲକେ ଫୁଲାଇ ହିଆ ହୋଇଛି କଦମ୍ବ ଠିଆ
କରେ ଫୁଲଗୁଚ୍ଛ ଧରି ଯେହ୍ନେ ସିଂହାରୀ । ୧୦ ।
ହସୁଛି ହରଗଉରା ସତେ କି ହରଗଉରା
ମହାଭାବେ ମଗ୍ନ ତବ ଲୀଳା ନିହାରି । ୧୧ ।
କହେ ଦୀନ ଚିନ୍ତାମଣି ଅଭାଗ୍ୟ ଜନ ଅଗ୍ରଣୀ
ସଦା ମୋର ପ୍ରାଣକୁଞ୍ଜେ ଝୁଲ ମୁରାରି । ୧୨ ।
ବିଶ୍ୱ ରନ୍ଧ୍ରେ ରନ୍ଧ୍ରେ ପ୍ରଭୁ ଅଛ କ୍ଷୁଦ୍ରରୂପେ,
ପୁଣି କୋଟି ବିଶ୍ୱ ଅଛି ତୁମ୍ଭ ଲୋମକୂପେ ।
ଅଦ୍ଭୁତ ସମସ୍ୟା ଏ ତ ହେ ସମସ୍ୟା-ସିନ୍ଧୁ,
ବିନ୍ଦୁଗର୍ଭେ ସିନ୍ଧୁ, ପୁଣି ସିନ୍ଧୁ ଗର୍ଭେ ବିନ୍ଦୁ ।
ଅନନ୍ତ ମଧ୍ୟରେ ସିନା ରହେ ସୀମାବନ୍ତ,
ସୀମାବନ୍ତ ମଧ୍ୟେ କେହ୍ନେ ରହିଛି ଅନନ୍ତ !
ରୁଦ୍ରତ୍ୱେ ଅସୀମ ତୁମ୍ଭେ, କ୍ଷୁଦ୍ରତ୍ୱେ ଅସୀମ,
ଅସୀମ ମହିମା ଧର ହେ ମହାମହିମ !
କେତେ ରୂପେ କେତେ ଭେକ ଧରି ନିତି ଖେଳ,
କେଉଁ ରୂପ ସଙ୍ଗେ ନାହିଁ କେଉଁ ରୂପ ମେଳ ।
କି ପାଅ ଖେଳରୁ, କିପାଁ ପ୍ରିୟ ସେ ତୁମ୍ଭର,
ଜଗତକୁ କରିଅଛ ମହାଖେଳ ଘର ।
ଶିଶୁ ପରି ଖେଳଘର ଧୂଳିରେ ଭିଆଇ,
ଖେଳି ସାରି ତାକୁ ଭାଙ୍ଗି ଦେଉଛ ନିଭାଇ ।
ଭଙ୍ଗାଗଢ଼ା ପାଇଁ ନାହିଁ ଦୁଃଖ ବା ଆନନ୍ଦ,
କି ଜଟିଳ କି କୁଟିଳ ତୁମ୍ଭ ମାୟାଛନ୍ଦ ।
ଚିର ନିର୍ବିକାର ତୁମ୍ଭେ ହେ ମୂର୍ତ୍ତି, ଅମୂର୍ତ୍ତି,
କଳ୍ପନାକୁ ଗିଳିଦିଏ ତୁମ୍ଭର ବିଭୂତି ।
ସପ୍ତସାଗରର ସ୍ଥାନ ତୁମ୍ଭର ଗଣ୍ଡୂଷ,
ତୁମ୍ଭେ ପରମାଣୁ, ତୁମ୍ଭେ ବିରାଟ ପୁରୁଷ ।
ମାତିଛୁରେ ମନମୂର୍ଖ କାହା କଥାରେ,
ନାହିଁ ତ ରେ ବ୍ୟଥୀ କେହି ତୋହ ବ୍ୟଥାରେ । ୦ ।
ସତେ ଗଜମୂର୍ଖ ତୁ ତ,
କରଣି ତୋର ଅଦ୍ଭୁତ,
ସୁନା କଳସ ଢ଼ାଳୁଛୁ ପର ମଥାରେ । ୧ ।
ପ୍ରାଣମଣି ମଣୁ ଯାକୁ,
ସେ ତ ଖଣ୍ଟ ମହାଡାକୁ,
ଶତ୍ରୁ ଜନେ ମିତ୍ର ଜ୍ଞାନ କରୁ ବୃଥାରେ । ୨ ।
ହସ କାନ୍ଦ ଭଲ ମନ୍ଦ,
ଭାଇ ବନ୍ଧୁର ସମ୍ବନ୍ଧ,
ମୃଗଭୁଲା ମୃଗତୃଷ୍ଣା ପ୍ରାୟ ମିଥ୍ୟାରେ । ୩ ।
ମାୟା ଶିଖାଣରେ ପରା,
ଛାଇକି ମଣୁଛୁ ଖରା,
ଖରାକୁ ମଣୁଛୁ ପୁଣି ଛାଇ ତଥାରେ । ୪ ।
ଖାଇ ତୁ ମୋହ-ମାଦକ,
ଡ଼େଉଁଛୁ ରେ ଫକଫକ,
ହେଳୁଛୁ କି ପଡିଲୁଣି କି ହୀନସ୍ତାରେ । ୫ ।
କାହା ଲାଗି କରି ଚିନ୍ତା,
ସ୍ୱଭାବ କଲୁଣି ପିତା,
କିଏ ତୋତେ କିଣିଦେବ ମୁକ୍ତି ଶସ୍ତାରେ । ୬ ।
ଆଶ୍ରାକର ହରିପଦ,
ସେହିଟି ସୁଖ ସମ୍ପଦ,
ସେହି ଏକା ଜ୍ଞାତିଗୋତ୍ର ପିତାମାତାରେ । ୭ ।
କବି କହେ ମନ-ମୂର୍ଖ,
ନ ମଣ ରେ ଦୁଃଖେ ସୁଖ,
ଆତ୍ମୀୟ ସ୍ୱଜନ ଖାଲି କଥା-କଥାରେ । ୮ ।
ନମୋନମଃ ଜଗନ୍ନାଥ ଜଗତମୋହନ,
ନୀଳାଚଳଚୂଳେ ସ୍ଥାପି ରତ୍ନ-ସିଂହାସନ,
ଦେବ-ଚକ୍ରବର୍ତ୍ତିପଣେ,
ବିଜୟ ତେତିଶ କୋଟି ଦେବତା ଗହଣେ । ୧ ।
ମର୍ତ୍ତ୍ୟକୁ କରିଛ ସ୍ୱର୍ଗ ତୁମ୍ଭେ ହେ ସାକ୍ଷାତ,
ଶ୍ରୀକ୍ଷେତ୍ର ହୋଇଛି ‘‘ମର୍ତ୍ତ୍ୟ-ବୈକୁଣ୍ଠ’’ ଅଖ୍ୟାତ
ପ୍ରଭୁ ତୁମ୍ଭେ ହରଘଡ଼ି,
ଛପନ କୋଟି ଜୀବଙ୍କୁ ବାଣ୍ଟୁଅଛ ପଡି । ୨ ।
ଅକାରଣେ ମୂର୍ଖପଣେ ବହି ମନେ ରୋଷ,
କହିଛି ତୁମ୍ଭଙ୍କୁ କଟୂ, ଦେଇଛି ମୁଁ ଦୋଷ,
ଏବେ ସେହି ଅନୁତାପ,
ଜାଳୁଛି ମୋ ପ୍ରାଣେ ଢ଼ାଳି ଅଗ୍ନି-ଅଭିଶାପ । ୩ ।
ମାଗି ନାହିଁ ଭଲ ମୁହିଁ ମାଗିଅଛି ଶଲ,
ତୁମ୍ଭେ ଯା ଦେଇଛ ଯାଚି ସେହି ଏକା ଭଲ,
ଏବେ ବୁଝିଲିଣି ଭ୍ରମ,
ଚିହ୍ନିଲିଣି କେ ଅଧମ କିଏ ସେ ଉତ୍ତମ । ୪ ।
ଅଜ୍ଞାନେ ନିନ୍ଦିଛି ପ୍ରଭୁ କରୁଛି ସ୍ୱୀକାର,
କ୍ଷମାକର କ୍ଷମାମୟ କୃପାପାରାବାର,
ଆର୍ତ୍ତେ ଯୋଡି ବେନି ହାତ,
ମାଗୁଛି ଛାମୁରେ ଏହି ଭିକ୍ଷା ବିଶ୍ୱନାଥ ! ୫ ।
ଏତିକିରେ ଏ ଦେହର ଘଟୁ ଅବସାନ,
ମିଶିଯାଉ ଜଳେ ସ୍ଥଳେ ପବନେ ଏ ପ୍ରାଣ,
ଆଶାପୂର୍ଣ୍ଣ ସବୁକ୍ଷେତ୍ରେ,
ଚାହିଁଛି ସେ ଶୁଭଲଗ୍ନେ ଉପବାସିନେତ୍ରେ । ୬ ।
ଦାସବତ୍ସଳ ହେ ହରି ଦୟା କର ଦାସେ,
ହସି ହସି ଚାଲିଯିବି ଯେହ୍ନେ ତୁମ୍ଭ ପାଶେ,
ଦିଅ ପଦରେଣୁ ଶିରେ,
ମିଶିଯାଉ ଆତ୍ମା ତୁମ୍ଭ ଅନନ୍ତ ଜ୍ୟୋତିରେ । ୭ ।
ଚିନ୍ତାମଣି କହେ - ବାରମ୍ବାର ଆସି ଯାଇ,
ଥକିଲିଣି, ସେ କଷ୍ଟରୁ କର ପ୍ରଭୁ ତ୍ରାହି,
କୃପା ବହି ମହାବାହୁ,
ରଖ ମୋତେ କରି ଏବେ ପୟରେ କଠାଉ । ୮ ।
କି ସୁନ୍ଦର ଶିଶୁ ବିଶ୍ୱଭକ୍ତି-ଉଜୁଡା,
କଥା କହେ ଯେହ୍ନେ ଅତି ପୁରୁଣା ବୁଢ଼ା । ୦ ।
ବର୍ଣ୍ଣେ ଜିଣେ ନୀଳକାନ୍ତ,
ପଡି ନାହିଁ ଦୁଧ ଦାନ୍ତ,
କ୍ଷୁଦ୍ରଶିରେ ଶୋଭେ ଚାରୁ ଚନ୍ଦ୍ରିକାଚୂଡ଼ା । ୧ ।
କି ଶୋଭା ଚାହାଣିଠାଣି,
ଭାଷେ କେତେ ନୀତିବାଣୀ,
ଦୁଷ୍ଟ ଦୈତ୍ୟ ଦାନବଙ୍କ ଭେକାଳବୁଡା । ୨ ।
କି ସରସ ଶିଶୁହୃଦ,
ଶିଶୁ ନୁହେଁ - ଶିଶୁ ବୃଦ୍ଧ,
ଦୁର୍ବଳର ବଳ, ଦମ୍ଭି-ଦମ୍ଭ-ଭଜୁଡ଼ା । ୩ ।
ଏବେ ତ ଅଧଚାଖଡ଼,
କି ନ ହେବ ହେଲେ ବଡ,
ହେବ ନିଶ୍ଚେ ଜଗତର ଭୀତି-ଘଉଡା । ୪ ।
ହେ ଜିଜ୍ଞାସୁ ପାନ୍ଥ ଶୁଣ,
ଶିଶୁର ଅଶେଷ ଗୁଣ,
କବି କହେ ଏ ଶିଶୁଟି ତ୍ରିକାଳ ବୁଢ଼ା । ୫ ।
ପିଲାଖେଳ
ସ୍ମୃତି ଆଜି ମୋତେ ଆଣି ଦେଇଅଛି
ଅତୀତ ବାଳୁତ କାଳ,
ବାଳକ ପରି ମୁଁ ଖେଳରେ ମାତିଛି
ଘେନି ଫୁଲପତ୍ରଡାଳ । ୧ ।
ଏତିକି ସମ୍ବଳ ଘେନି ଜଗନ୍ନାଥ
ପୂଜିବି ତୁମ୍ଭରି ପାଦ,
ପୂଜା ନୁହେଁ ଏହା - ପିଲାଖେଳ ମୋର
ବାଳୁତ-ସୁଲଭ ଶାଦ । ୨ ।
ଆଦରେ ଜନକ ଗ୍ରହନ୍ତି ଯେସନ
ଶିଶୁଦତ୍ତ ଧୂଳି-ଅନ୍ନ
ଘେନାହେଉ ଦେବ ସସ୍ନେହେ ମୋହର
ଅଦ୍ରବ୍ୟ ପୂଜା ତେସନ । ୩ ।
ଭକ୍ତିହୀନ ନୁହେ ଏ ପୂଜା ମୋହର
ହେଲେହେଁ ହୀନ ସମ୍ଭାର,
ନୁହେଁ ଏହା ମୋର ସହିତ ୧ ତୁମ୍ଭଙ୍କୁ
କିସ ବା ଅଛି ଉବାର ୨ । ୪ ।
୧- ବଡ଼େଇ, ଢମ । ୨ - ଅଜଣା ।
ସରଳ ଶିଶୁର ପ୍ରାଣର ଜଣାଣ -
ମନ୍ତ୍ର ହେଉ ନାରାୟଣ,
ଫୁଲ ଆଞ୍ଜୁଳାକ ହେଉ ମୋ ପୂଜାର
ଷୋଡ଼ଶ ଉପକରଣ । ୫ ।
ବାଳଖେଳ ପରି ବାଳକାଳ କେଡ଼େ
ମଧୁର ହେ ଘନଶ୍ୟାମ,
ତହୁଁ ବଳି ସିନା ଅଧିକ ମଧୁର
ବାଳ ତୁଣ୍ଡେ ତୁମ୍ଭ ନାମ । ୬ ।
ଚିନ୍ତାମଣି କହେ ବାଳ କାଳ ଆଉ
ଫେରି ତ ଆସିବ ନାହିଁ,
ଆଶୀର୍ବାଦ କର ବାଳଭାବ ମୋର
ଫେରିଆସୁ ଭାବଗ୍ରାହୀ ! ୭ ।
ପ୍ରଭାତ ମାଗୁଣି
ପବିତ୍ର ପ୍ରଭାତେ ଘେନ ମୋ ପ୍ରଣତି
ଖଗପତି ଜଗନ୍ନାଥ,
ତୁମ୍ଭ ପ୍ରସାଦରୁ ହେଉ ଏ ପ୍ରଭାତ
ଶୁଭମୟ ସୁପ୍ରଭାତ । ୧ ।
ଗତ ରାତି ପରି ନିରାପଦେ ଭଲେ
ଯାଉ ଏ ଦିନଟି ସୁଖେ,
ସବୁବେଳେ ତୁମ୍ଭ ମଧୁମୟ ନାମ
ଲାଗି ରହିଥାଉ ମୂଖେ । ୨ ।
ହେ ଚିନ୍ମୟ ହରି ଚିତ୍ତରେ ବିହରି
ଚଳାଅ ଏ ଦେହ-ଯନ୍ତ୍ର,
ଆଣିଦିଅ ଶୁଭ - କର୍ମର ପ୍ରେରଣା
କର୍ଣ୍ଣେ ଦିଅ ହିତ ମନ୍ତ୍ର । ୩ ।
ତହିଁ ସଙ୍ଗେ ଦିଅ କଠୋର ବିଶ୍ୱାସ,
କର୍ମ ସାଧନର ଶକ୍ତି,
କର୍ମ-ନିଶା ଭୋଳେ ନ ଭୁଲି ତୁମ୍ଭଙ୍କୁ
ରଖିଥିବି ଯେହ୍ନେ ଭକ୍ତି । ୪ ।
ପ୍ରଭାତ ମାଗୁଣି ଏତିକି ପୟରେ
ହେ ପ୍ରଭୁ ନୀଳସୁନ୍ଦର,
ହେଉ ମୋ ସ୍ୱଭାବ ଏ ପ୍ରଭାତ ପରି
ମଧୁର ପବିତ୍ରତର । ୫ ।
ଶରୀର ମନର କ୍ଳାନ୍ତି, ଦୁର୍ବଳତା
ହୋଇଯାଉ ତିରୋହିତ,
ହେଉ ଏ ହୃଦୟ ସତ୍ୟର ଜ୍ୟୋତିରେ
ଆଲୋକିତ ପୁଲକିତ । ୬ ।
ସୁନୀତି ସ୍ୱଧର୍ମ ସେବାରେ ନିରତେ
ବଢି ଉଠୁ ଅନୁରାଗ,
ଚିନ୍ତାମଣି କହେ ଚରିତ୍ରରେ ମୋର
ନ ଲାଗୁ କଳଙ୍କ ଦାଗ । ୭ ।
ସନ୍ଧ୍ୟା ହେଲା, ଦିଶି ଆସିଲା
ସୃଷ୍ଟି ଅତସୀ-ଶ୍ୟାମ,
ଘେନାହେଉ ଜଗନ୍ନାଥ ହେ
ମୋର ସାନ୍ଧ୍ୟ ପ୍ରଣାମ । ୧ ।
ପ୍ରାଣ ମଧ୍ୟେ ଥାଇ ଯେ କାର୍ଯ୍ୟ
ତୁମ୍ଭେ କଲ ଆଦେଶ,
ତୁମ୍ଭ ଶକ୍ତିରେ ତା ସାଧିଛି
କରି ଯତ୍ନ ବିଶେଷ । ୨ ।
କେଡ଼େ ଶାନ୍ତି ଶୁଭେ କଟିଲା
ଆହା ଦିନଟି ଆଜ,
ଧନ୍ୟ ତୁମ୍ଭ ଦୟା - ମହିମା
ପ୍ରଭୁ ଦେବାଧିରାଜ ! ୩ ।
ବଞ୍ଚାଇ ରଖିଛି ସେ ଦୟା
ମୋତେ ଏ ପରବାସେ,
ବୋଳି ହୋଇଅଛି ପୁଣି ସେ
ମୋର ଶ୍ୱାସ ପ୍ରଶ୍ୱାସେ । ୪ ।
ତୁମ୍ଭେ ଏକା ହରି ଦିହୁଡି
ମୋର ଅନ୍ଧାର ଘରେ,
ପ୍ରାଣର ଦୋସର ଲଉଡି
ଜରା-ଦୁର୍ବଳ କରେ । ୫ ।
ମନ ଯେତେବେଳେ ଖୋଜିବ
ସୁଖଭୋଗ, ବିଶ୍ରାମ,
ବହଲାଇଦେବି ତାହାକୁ
ଜପି ତୁମ୍ଭରି ନାମ । ୬ ।
ଚିନ୍ତାମଣି କହେ ଏତିକି
ମୋର ସନ୍ଧ୍ୟା-ପ୍ରାର୍ଥନା,
ପୂର୍ଣ୍ଣ କର ପ୍ରଭୁ ସଦୟେ
ଭୃତ୍ୟ ମନକାମନା । ୭ ।
ଆଗ୍ନେୟ କେତନ ଉଡ଼ାଇ ଆସିଲା
ସରୋଷେ ମଧ୍ୟାହ୍ନ କାଳ,
ତୀକ୍ଷ୍ଣ ଅଗ୍ନିକଣା ଉଦ୍ଗାରୁଛି ସେ ଯେ
ଅଗ୍ନିର ରୁଦ୍ର ଦୁଲାଳ । ୧ ।
ଆଗ୍ନେୟ କଞ୍ଚୁକ ଆଗ୍ନେୟ କିରୀଟ
ମଣ୍ଡିଅଛି ଦେହେ ଶିରେ,
ଅଗ୍ନିମୟ କଣ୍ଠେ ଅଗ୍ନିମୟ ମନ୍ତ୍ର
ଉଚ୍ଚାରେ ମୌନେ ଗମ୍ଭୀରେ । ୨ ।
ଦହିବ ପରା ସେ ବିଶ୍ୱ ବ୍ରହ୍ମାଣ୍ଡକୁ
ଦେଖି ତା ପ୍ରଚଣ୍ଡ ମୂର୍ତ୍ତି,
ନ ଡରି, କର୍ତ୍ତବ୍ୟେ ଅଗ୍ରସର ହେବି
ଦେଖାଇ ସାହସ ଫୂର୍ତ୍ତି । ୩ ।
ଉପଯୁକ୍ତ ଧୈର୍ଯ୍ୟ ଦିଅ ମହାପ୍ରଭୁ,
ଜଗନ୍ନାଥ ଜଗଭୂପ,
ମଧ୍ୟାହ୍ନ ରୂପରେ ତୁମ୍ଭେ ସିନା ହରି
ପ୍ରକାଶିଛ ବିଶ୍ୱରୂପ । ୪ ।
ଦୀନ ଚିନ୍ତାମଣି ମଧ୍ୟାହ୍ନେ ଏ ଭିକ୍ଷା
ମାଗୁଛି ପଦେ ଜୁହାରି,
ମଧ୍ୟାହ୍ନ ପରି ମୋ’ ବାର୍ଦ୍ଧକ୍ୟ ଉତ୍ସାହ
ପ୍ରଖର ହେଉ-ମୁରାରି ! ୫ ।
ନାହିଁ ବିଶ୍ୱ କୋଳାହଳ ନୀରବ ନିଶୀଥ,
ଗାଉଅଛି ମହାଶୂନ୍ୟ ନିର୍ବାଣୀ ସଙ୍ଗୀତ,
ବୃଦ୍ଧା ବସୁଧା-ତାପସୀ
ଉଚ୍ଚାରୁଛି ସୁଗମ୍ଭୀରେ ବେଦଶ୍ଳୋକ ବସି । ୧ ।
ସାଧକ ଭକ୍ତର ଏ ତ ମାହେନ୍ଦ୍ର ସୁଯୋଗ,
କରନ୍ତି ସେ ଅବିଘ୍ନରେ ପ୍ରେମାମୃତ ଭୋଗ,
ମୋର ସେ ସୌଭାଗ୍ୟ କାହିଁ,
ଜପ ତପ ଧ୍ୟାନ ମନ୍ତ୍ର କିଛି ହିଁ ତ ନାହିଁ । ୨ ।
କରୁଅଛି ସାଷ୍ଟାଙ୍ଗେ ମୁଁ କୋଟି ଦଣ୍ଡବତ,
ଘେନ ପ୍ରଭୁ ଜଗନ୍ନାଥ ଭକ୍ତ ଭାଗବତ,
ମୋର ଦୀନତା ତ ଜାଣ,
ଭକ୍ତିଟିକ ନେଇ ମୋତେ କର ପରିତ୍ରାଣ । ୩ ।
ଘାରିଲାଣି ନିଦ ଶୋଇପଡିବି ମୁଁ ପୁଣି,
କଥା କହୁଁ କହୁଁ ହେବି ଅଚେତ ଉଛୁଣି,
ସେ କାଳରେ ଅଲକ୍ଷ୍ୟରେ,
ଜିହ୍ୱା ରଟୁ ଜୟ ଦେବ ଜଗନ୍ନାଥ ହରେ । ୪ ।
ନିଶୀଥ ସମୟ କେଡ଼େ ଗଭୀର ଉଦାର,
ମୋ ପ୍ରାଣେ କରୁ ସେ ପୂର୍ଣ୍ଣ ପ୍ରଭାବ ବିସ୍ତାର,
କହେ ଦୀନ ଚିନ୍ତାମଣି,
ଏତିକି ହେ ଅଳି ମୋର ସୁର-ଶିରୋମଣି । ୫ ।
ଶେଷଯାତ୍ରା ଦିନ ପାଖେଇ ଆସୁଛି
ସଚଳ ଦାବାଗ୍ନି ପରି,
ଆଚମ୍ବିତ କେବେ ଗୋପନେ ହାବୁଡ଼ି
ଦେବ ସବୁ ଭସ୍ମ କରି । ୧ ।
ଜୀବନର ମହା - ଶୁଭଦିନ ସେହି
ହେ ପ୍ରଭୁ ଜଗତନାଥ,
କେବେ ତୁମ୍ଭ ମହା- ସିଂହାସନ ତଳେ
ଉଭା ହେବି ଯୋଡି ହାତ । ୨ ।
ପିତା ପିତା ଡାକି କେବେ ଯାଇ ତୁମ୍ଭ
ପଦେ ଛୁଆଇଁବି ଶିର,
ପୁଲକି ଉଠିବ ଶରୀର, ନୟନୁ
ବହିବ ଆନନ୍ଦ-ନୀର । ୩ ।
ଆସନ୍ନ କାଳର କର୍ତ୍ତବ୍ୟ ହରି ହେ
କିଛି ମୋତେ ଜଣା ନାହିଁ
ତୁମ୍ଭ ପ୍ରତି କରି ଏକାନ୍ତ ନିର୍ଭର
ବସିଛି ସେ ଦିନେ ଚାହିଁ । ୪ ।
ପୂର୍ବରୁ ସତର୍କ ହେବାକୁ ଜ୍ଞାନୀଏ
ଦିଅନ୍ତି ସଦୁପଦେଶ,
କିନ୍ତୁ କି ସତର୍କ ହେବି, କିଛି ବୁଝି
ପାରୁ ନାହିଁ ହୃଷୀକେଶ ! ୫ ।
ସଙ୍ଗରେ ତ କିଛି ନେବି ନାହିଁ, ତେବେ
କିସ ବା ଭୟ ଭାବନା,
ସବୁବେଳେ ମୁଁ ତ ରହିଛି ପ୍ରସ୍ତୁତ
ହୋଇଣ ନିଶ୍ଚିନ୍ତମନା । ୬ ।
କ୍ଷୁଧା ତୃଷା ନାହିଁ ଯେ ଦେଶେ, ସେଠାକୁ
ନେବି ବା କିସ କିପାଇଁ,
ବୃଥା ବୋଝ ବହି କ୍ଳାନ୍ତ ହେବି ସିନା
ଆନ କିଛି ଲାଭ ନାହିଁ । ୭ ।
କର୍ମ ଅବଳକୁ ସେଠାବେ ଯଦ୍ୟପି
ପୀଡ଼ା ଦେବ ଭୋକଶୋଷ
ତୁମ୍ଭ ନାମାମୃତ ପାନେ ତା ମେଣ୍ଟାଇ
ଲଭିବି ମହା ସନ୍ତୋଷ । ୮ ।
ଆଉ କେଉଁଠିକି ଯାଉ ନାହିଁ ମୁଁ ତ
ଯାଉଛି ପିତାଙ୍କ ପାଶେ,
ଜନ୍ମଦାତା ପିତା ସନ୍ତାନକୁ କେବେ
ମାରନ୍ତି ନାହିଁ ଉପାସେ । ୯ ।
ଏଠାରୁ ଯା’ ନେବି ସେଥିରେ ତ କିଛି
ଯିବ ନାହିଁ ଯୁଗ କଟି,
ତେତିକି ସରିଲେ କି ଉପାୟ ଆଉ
ତେଣିକି କିସ ହେବଟି । ୧୦ ।
ମୃତ୍ୟୁ ପରେ ଆଉ ନାହିଁ ତ ମରଣ
ନ ଖାଇ ମରିବି କାହିଁ,
ବିଶେଷରେ ସେହି ଅମୃତ ରାଜ୍ୟରେ
ମୃତ୍ୟୁଭୟ ବାଧା ନାହିଁ । ୧୧ ।
ଦେହାନ୍ତର ପରେ ନୀଳାଚଳ କ୍ଷେତ୍ରେ
ଦିଅ ପ୍ରଭୁ ପୁନର୍ଜନ୍ମ,
ନରଜନ୍ମ ଲାଭ ସୁକୃତି ନ ଥିଲେ
କର କ୍ଷୁଦ୍ର ବିହଙ୍ଗମ । ୧୨ ।
ପ୍ରତି ପ୍ରଭାତରେ ଶ୍ରୀମୁଖ ନିରେଖି
ଲଭିବି ପରମ ପ୍ରୀତି,
ନୀଳଚକ୍ର ପାଶେ ଉଡି ମୁଁ ଗାଇବି
ତୁମ୍ଭରି ମହିମା-ଗୀତି । ୧୩ ।
ତୁମ୍ଭ ପ୍ରେମାମୃତ ପାନ କଲେ ହରି
ହରିଯିବ କ୍ଷୁଧା ତୃଷା,
ଚିନ୍ତାମଣି କହେ କେବେ ଉଇଁବ ହେ
ସେ ଶୁଭ-ସୌଭାଗ୍ୟ-ଉଷା । ୧୪ ।
ସ୍ତବ
( ଗୀତଗୋବିନ୍ଦ ବୃତ୍ତେ )
ଜୟ ଜଗନ୍ନାଥ ଜଗଦ୍ବନ୍ଦନ
ଯଦୁନନ୍ଦନ,
ସନ୍ତାପିତ-ଜନ-ହୃଦ-ଚନ୍ଦନ-
ଜୟ ଜଗନ୍ନାଥ ହରେ ।
ସାଧୁ-ସନ୍ଥ-ଯୋଗିମନରଞ୍ଜନ-
ଭୟଭଞ୍ଜନ,
ବିଷୟ-ବିଷାକ୍ତ ନେତ୍ର ଅଞ୍ଜନ-
ଜୟ ଜଗନ୍ନାଥ ହରେ ।
ଅତସୀ-କୁସୁମ ଶ୍ୟାମସୁନ୍ଦର-
ନବହୃନ୍ଦର,
ଚରମ ଆଶ୍ରୟ ଜୀବବୃନ୍ଦର-
ଜୟ ଜଗନ୍ନାଥ ହରେ ।
ନୀଳଗିରି ଚାରୁଚୂଳ ଆସନ-
ପାପନାଶନ,
ଦୁର୍ଦ୍ଦଣ୍ଡ ପାଷଣ୍ଡ କୁଳ ଶାସନ-
ଜୟ ଜଗନ୍ନାଥ ହରେ ।
ମହୋଦଧି-ଜଳକେଳି-କୁଞ୍ଜର-
ନବଗୁଞ୍ଜର,
ଇହପରକାଳ ପ୍ରାଣିପୁଞ୍ଜର-
ଜୟ ଜଗନ୍ନାଥ ହରେ ।
ଆହା କି ରଞ୍ଜନ ନେତ୍ରଖଞ୍ଜନ-
ଶ୍ରୀ ନିରଞ୍ଜନ,
ଧର୍ମଦ୍ରୋହୀ ଖଳଗର୍ବ ଗଞ୍ଜନ-
ଜୟ ଜଗନ୍ନାଥ ହରେ ।
ଆରୋହିତ ନନ୍ଦିଘୋଷ ସ୍ୟନ୍ଦନ-
ନନ୍ଦନନ୍ଦନ,
ଛିନ୍ନ କର ମାୟାମୋହ-ବନ୍ଧନ-
ଜୟ ଜଗନ୍ନାଥ ହରେ ।
ଲଳିତ ମରୁଆମାଳା ମଣ୍ଡନ-
ଦୁଷ୍ଟ ଦଣ୍ଡନ,
ଚିନ୍ତାମଣି ଚିନ୍ତା କର ଖଣ୍ଡନ-
ଜୟ ଜଗନ୍ନାଥ ହରେ ।
ଦିନରାତି ସଦା ବିକଳେ ବିନୟେ
ଡ଼ାକି ଡାକି ହେଲି ଶ୍ରାନ୍ତ,
ଶୁଭୁ ନାହିଁ କି ହେ କାନକୁ ତୁମ୍ଭର
ଜଗବନ୍ଧୁ ଜଗନ୍ନାଥ ! ୧ ।
ଶୁଣିବ ନାହିଁ କି ଗରିବ ଗୁହାରି
ବୋଲାଉଛ ବଡଲୋକ,
ଉଚିତ କି ପ୍ରଭୁ ଆଶ୍ରିତ ଜନର
ବଢ଼ାଇବା ଦୁଃଖଶୋକ । ୨ ।
କିମ୍ବା ଯେଉଁ ବାଗେ ଡ଼ାକନ୍ତି ସେ ବାଗେ
ଡାକି ମୋତେ ଆସୁ ନାହିଁ,
କହିଦିଅ ତେବେ କିଭଳି ଡ଼ାକିବି
କୃପାନେତ୍ରେ ଥରେ ଚାହିଁ । ୩ ।
ଡାକୁଛି ତ ମୁହିଁ ମନେ ପ୍ରାଣେ ଦୃଢ଼େ
ଉଚ୍ଚାରି କାତର ବାଣୀ,
କେଉଁଠି ବା ଫାଙ୍କ ରହିଯାଉଅଛି
ପାରୁ ନାହିଁ କିଛି ଜାଣି । ୪ ।
ବିଚିତ୍ର ନୁହେଁ ତ ମାନବ ପକ୍ଷରେ
ଅପୂର୍ଣ୍ଣତା, ତ୍ରୁଟି, ଭ୍ରମ,
ଦୁର୍ବଳର ଦୋଷ ସଂଶୋଧନ ସିନା
ବଡ଼ଲୋକଙ୍କର କର୍ମ । ୫ ।
କଣା କଳସୀରୁ ବିନ୍ଦୁ ବିନ୍ଦୁ ହୋଇ
ଝରିଲା ପରାଏ ଜଳ,
ସରି ଆସୁଅଛି କ୍ରମେ କ୍ରମେ ଆୟୁ
ତୁଟି ଆସୁଅଛି ବଳ । ୬ ।
କାମ ସରିଗଲା ଆଉ କିପାଁ ତେବେ
ରହିଥିବି ତୁଚ୍ଛା ବସି,
ଚାହାଳୀ ଭାଙ୍ଗିଲା ଆଉ ବା କାହିଁକି
ବୃଥା ହେବି ଖଡି ଘଷି । ୭ ।
ଚିନ୍ତାମଣି କହେ ଶେଷ ଡ଼ାକ ମୋର
ଶୁଣ ପ୍ରଭୁ କାନ ଡ଼େରି,
ଆଣ ଶୁଭଦିନ କୃତାର୍ଥ ହୁଏ ମୁଁ
ତବ ବିଶ୍ୱରୂପ ହେରି । ୮ ।
ଶୁଭ ସାମ୍ୟ ଭାବେ ଉଦାର ଗୁଣରେ
ମଣ୍ଡିଦିଅ ପ୍ରଭୁ ପ୍ରାଣ,
ଯେ ମୋତେ କରିବ ଈର୍ଷା,ତାକୁ ଯେହ୍ନେ
କରିବି ମୁଁ ପ୍ରେମଦାନ । ୧ ।
ଅଭିଶାପ ଦେବ ଯେ ପୁଣି, ତାହାକୁ-
କରିବି ମୁଁ ଆଶୀର୍ବାଦ,
ନିନ୍ଦୁକ ଜନର ପ୍ରଶଂସା ବଖାଣି
ଲଭିବି ଆତ୍ମପ୍ରସାଦ । ୨ ।
କନ୍ଦାଇବ ଯେହୁ ହସାଇବି ତାକୁ
ହେଉ ଏହା ମୋର ପଣ,
ତୁ ବୋଲି ବୋଲିବ ଯେ ମୋତେ ତାହାକୁ
କହିବି ଆଜ୍ଞା ଆପଣ । ୩ ।
ଘୃଣା ଯେ କରିବ ହେବ ସେ ନିଶ୍ଚୟ
ଶ୍ରଦ୍ଧା-ଭକ୍ତି-ପାତ୍ର ମୋର,
ସାଧୁ ବୋଲି ତାକୁ ଗୌରବେ ଡାକିବି
ଯେ ମୋତେ କହିବ ଚୋର । ୪ ।
ବିଶ୍ୱପ୍ରେମ ଆଣି ମୋ ଭିତରେ ହରି
କରାଇଦିଅ ପ୍ରବେଶ,
କି କର୍ମ ସାଧିବି କର୍ମଭୂମିରେ ମୁଁ
କରିଦିଅ ତା ନିର୍ଦ୍ଦେଶ । ୫।
ଦିଅ ଦିବ୍ୟ ଜ୍ଞାନ ଅଜ୍ଞତା ମୋହର
ହୋଇଯାଉ ତହିଁ କ୍ଷୟ,
ପରାପର ଭାବ ଛାଡିଯାଉ ହୃଦୁ
ବିଶ୍ୱ ହେଉ ଆତ୍ମମୟ । ୬ ।
ଚାଲିବି ସତ୍ୟର ବଜ୍ର ଶିଖା ବକ୍ଷେ
ହେଉ ପଛେ ଭୟଙ୍କର,
ମାତ୍ର ପୁଷ୍ପାବୃତ ଅସତ୍ୟ ପଥରେ
ନ ଦେବି କେବେ ପୟର । ୭ ।
ରୋଗକୁ ତ ମୋର ଭୟ ନାହିଁ ତିଳେ
ଜାଣେ ମୁଁ ସେ ତୁମ୍ଭ କ୍ରୀଡ଼ା,
ଔଷଧି ରୂପରେ ସୁସ୍ଥ କର ତୁମ୍ଭେ
ରୋଗରୂପେ ଦେଇ ପୀଡ଼ା । ୮ ।
ଧର୍ମପାଦେ ମୋର ନଶ୍ୱର ଜୀବନ
ଗୁନ୍ଥିଦିଅ ଦୃଢ଼େ ହରି,
ବିପଦ ଆସିଲେ ନ ଡରି, ସାନନ୍ଦେ-
ନେବି ଆଲିଙ୍ଗନ କରି । ୯ ।
ସତ୍ୟ ନ୍ୟାୟ ଧର୍ମ ଦୟା ଦାକ୍ଷିଣ୍ୟରେ
କରିବି ସଂସ୍କାର ପ୍ରାଣ,
ଚିନ୍ତାମଣି ମାଗେ ସୁପ୍ରସନ୍ନେ ପ୍ରଭୁ
ପ୍ରଦାନ ଏ ଶୁଭଜ୍ଞାନ । ୧୦ ।
ନମୋ ନାରାୟଣ ବ୍ରହ୍ମପରାୟଣ
ଭକ୍ତ ଆପ୍ୟାୟନ-ଯୋଗିଧନ,
ସତ୍ୟ ସନାତନ ସୁଚାରିଶାତନ
ବାରଣଯାତନ-ବିମୋଚନ ।
ସଦ୍ୟ ପୁରାତନ ଦୁଷ୍ଟନିପାତନ
କୃତଘ୍ନଘାତନ-ଜନାର୍ଦ୍ଦନ,
ନିତ୍ୟ ନିରୀଶ୍ୱର ନୀଳଗିରୀଶ୍ୱର
ବିଧୁ ଶିରୀଶ୍ୱର-ନିରଞ୍ଜନ ।
କୈବଲ୍ୟ କାରଣ ଧ୍ରୁବ ନିସ୍ତାରଣ
ଦୂରିତ ବାରଣ-ଗୋବର୍ଦ୍ଧନ,
ବିଭୁ ସଦାଶୟ ନିରାଶ୍ରୟାଶ୍ରୟ
କୃପା-ଜଳାଶୟ-ଖଗାସନ ।
ଯଜ୍ଞେଶ ଯାଦବ ମୁରାରି ମାଧବ
ଗୋକୁଳବାନ୍ଧବ-ଗୋପୀଧନ,
ବ୍ରଜେନ୍ଦ୍ରସୁନ୍ଦର ଶାର୍ଙ୍ଗ ଧନୁର୍ଦ୍ଧର
ବିଚିତ୍ର ହୁନ୍ଦର ବିସୃଜନ ।
ସୃଷ୍ଟି ସଞ୍ଚାଳକ ସଂସାରପାଳକ
ଗୋପାଳବାଳକ-ସନାତନ,
କଷିତ କାଞ୍ଚନ ପୀତବାସାଚ୍ଛନ୍ନ
ଶ୍ରୀବତ୍ସଲାଞ୍ଛନ-ଚିରନ୍ତନ ।
ଭୂତେଶ ଭାବନ ପତିତପାବନ
ଦିବ୍ୟ ଶୋଭାବନ ଶ୍ରୀବାମନ,
ଶିଖଣ୍ଡଧାରଣ ମାରିଚମାରଣ
ବାରଣତାରଣ ପଦ୍ମାସନ ।
ଶ୍ରୀନନ୍ଦନନ୍ଦନ ବିଶ୍ୱବିବନ୍ଦନ
ସଂସାର ବନ୍ଧନ ବିଚ୍ଛେଦନ,
ନମେ ଚିନ୍ତାମଣି ଚିନ୍ତି ଚିନ୍ତାମଣି
କଉସ୍ତୁଭମଣି ବିଭୂଷଣ ।
ଆସ ଆସ ହରି କରୁଣା ବିତରି
ବସ ଏ ହୃଦୟ-ମନ୍ଦିରେ,
ପ୍ରାଣବୀଣା ତାର ଉଠାଉ ଝଙ୍କାର
ପ୍ରଣବ ଓଁ କାର ଗମ୍ଭୀରେ । ପଦ ।
ତୁମ୍ଭରି ସର୍ଜିତ ଏ ମହା ଜଗତ,
ପ୍ରଚାରୁଛି ତୁମ୍ଭ ମହିମା-ମହତ୍ତ୍ୱ,
ଦେଇଅଛ ତୁମ୍ଭେ ଜୀବଗଣେ ଠାବ
ଜୀବନ ମରଣ ସନ୍ଧିରେ । ୧ ।
ଫୁଲ ମଧ୍ୟେ ଅଛ ଗନ୍ଧରୂପେ ହରି,
ଫଳଗର୍ଭେ ଅଛ ରସରୂପ ଧରି,
ମେଘେ ଜଳରୂପେ ବାତେ ପ୍ରାଣରୂପେ
ଗଛରୂପେ ଅଛ ମଞ୍ଜିରେ । ୨ ।
ଅଣାକାର ପ୍ରଭୁ ଅନନ୍ତ ଅନାଦି,
ପୁଷ୍ପଗର୍ଭେ ମଧୁ ରଖିଛ ସମ୍ପାଦି,
ନିହିଛ ସେ ମଧୁ ସଂଗ୍ରହର ଶକ୍ତି
ଅତି କ୍ଷୁଦ୍ର ମଧୁମକ୍ଷୀରେ । ୩ ।
ବିଶ୍ୱଚିତ୍ର ନିତି ଅଙ୍କୁଛ ଅନେକ,
ପୁରୁଣା ନିଭାଇ ନୂଆ ଚିତ୍ର ଲେଖ,
ତୁମ୍ଭ ଶୁଭାଦେଶ କରୁଣା ମୁଦ୍ରିତ
ଜଗତଜୀବନ-ପଞ୍ଜିରେ । ୪ ।
କହେ ଚିନ୍ତାଦଗ୍ଧ ଦୀନ ଚିନ୍ତାମଣି,
ମଲା ଆଖିପାଣି ଦିନ ଗଣି ଗଣି,
କେତେ କାଳ ହରି ନିଗଡ-କଞ୍ଜିରେ
ବାନ୍ଧି ରଖିଥିବ ବନ୍ଦୀରେ । ୫ ।
[ ରସକୁଲ୍ୟା ]
ପ୍ରଭୁ ଜଗନ୍ନାଥ ଜଗଜୀବନ,
ଭକ୍ତ-ହୃଦ-ସର-ପଦ-ତପନ,
ନୀଳ-ମହୀଧର-ମର୍କତ ମଣି
ଅପାର-ସଂସାର-ସିନ୍ଧୁ-ତରଣୀ,
ଭକ୍ତର ଚିର ଅଧୀନ ଯେ,
ଭୃତ୍ୟର ମହିମା ପ୍ରଚାରୁଛ ବକ୍ଷେ
ବହିଣ ଚରଣ ଚିହ୍ନ ଯେ ।
ସକଳ ମାନବ ତୁମ୍ଭ ସନ୍ତାନ,
ପିତୃନେତ୍ରେ ତବ ସର୍ବେ ସମାନ,
ପ୍ରଚାରୁଛ ଏହି ନୀତି ଉଦାର,
ଭୋଗରେ ନ ରଖି ଜାତି ବିଚାର,
ଏକତ୍ରେ ଶୂଦ୍ର ବ୍ରାହ୍ମଣ ଯେ,
ନିର୍ବିକାର ଚିତ୍ତେ ଶ୍ରୀମହାପ୍ରସାଦ
କରନ୍ତି ସୁଖେ ଭୋଜନ ଯେ ।
ଉତ୍କଳ-ଅବନୀ କି ତପ କରି,
କୃତାର୍ଥ ତୁମ୍ଭଙ୍କୁ ବକ୍ଷରେ ଧରି,
ଛଡ଼ାଇ ଆଣିଛି ସ୍ୱର୍ଗ ସମ୍ପଦ,
ଲଭିଛି ମର୍ତ୍ତ୍ୟରେ ବୈକୁଣ୍ଠପଦ,
ଧନ୍ୟ ତା ପୂଣ୍ୟ ମହିମା ଯେ,
ଜଗତନାଥଙ୍କୁ କରି ରଖିଛି ଯା
ପ୍ରାଣର ପୂଜା ପ୍ରତିମା ଯେ ।
ବେଳା-ବାଲିଶେଯେ କରିଛ ବିଜେ,
ଖଟିଛି ପୟରେ ବାରିଧି ନିଜେ,
ନିତି ସନ୍ଧ୍ୟା ପ୍ରାତେ ତ୍ରିଦିବବାସୀ,
ସ୍ୱର୍ଗଦ୍ୱାର ପଥେ ଓହ୍ଲାଇ ଆସି,
ଦେଖନ୍ତି ପୂଣ୍ୟ ଆଳତି ଯେ,
ପାଦୋଦକ ସେବି ଶ୍ରୀମୁଖ ନିରେଖି
ଲଭନ୍ତି ମହାତୃପତି ଯେ ।
ଖେଳେ ଭକ୍ତି ତୁଣ୍ଡେ ପ୍ରାର୍ଥନାବାକ୍ୟ
ଦୁଃଖୀ କଣ୍ଠୁ ଉଠେ ମଣିମା ଡ଼ାକ,
ଉଛୁଳି ପଡ଼ଇ ବାଦିତ୍ର ସ୍ୱନ,
ସାଧକେ କରନ୍ତି ସ୍ତବ କୀର୍ତ୍ତନ,
ସେ ସ୍ୱରେ ମିଶାଇ ସ୍ୱର ଯେ,
ଦୀନ ଚିନ୍ତାମଣି ଦୂରେ ଥାଇ ଡ଼ାକେ
ହେ ପ୍ରଭୁ ଉଦ୍ଧାର କର ଯେ ।
[ ଚୋଖୀ ]
ଜଗବନ୍ଧୁ ଜଗନ୍ନାଥ ଜଣାଉଛି ଯୋଡ଼ି ହାତ
ଭବ-କାରାଗାରୁ ମୁକ୍ତ କର ଏ ଦାସେ,
ବହୁଦିନୁ ପଡ଼ି ପଡ଼ି ଗଲାଣି ଶରୀର ଝଡ଼ି
ହେଉଅଛି ଆୟୁ କ୍ଷୟ ପ୍ରତି ନିଃଶ୍ୱାସେ,
ଦୁଷ୍ଟା ଜରା ସାଧୁଛି ଦାଉ,
ତୁମ୍ଭେ ନ ତାରିଲେ କିଏ ତାରିବ ଆଉ । ୧ ।
ଛନ୍ଦିଅଛ ଯେଉଁ ବେଢୀ କିଏ ତା ପାରିବ ଫେଡ଼ି
ଶ୍ରୀହସ୍ତରେ ତୁମ୍ଭେ ତାହା ନ ଦେଲେ ଭାଙ୍ଗି
ତୁମ୍ଭେ ପ୍ରଭୁ କୃପାମୟ ହରୁଛ ଆତୁର ଭୟ
ଡ଼ାକେ ମୁଁ ତୁମ୍ଭଙ୍କୁ ସାରା ଯାମିନୀ ଜାଗି,
ଶୁଣ ପ୍ରଭୁ ରଙ୍କ ଗୁହାରି,
କର ଏ କିଙ୍କରେ ଭବ-ସାଗରୁ ପାରି । ୨ ।
କେଉଁ କାଳୁ ତୁମ୍ଭ ପାଶୁ ଆସି, ଏବେ ଏ ପ୍ରକାସୁଁ
ବାହୁଡ଼ିଯିବାକୁ ଚିତ୍ତ ଉଚ୍ଛନ୍ନ ଅତି,
ଛାଡି ପ୍ରଭୁ ପାଦସେବା ସେବକ ହୋଇଣ କେବା
ରହିପାରେ କାହିଁ ହୋଇ ନିଶ୍ଚିନ୍ତ ମତି,
ପ୍ରଭୁ ଏକା ପ୍ରାଣ ତାହାର,
ପ୍ରଭୁ ପାଦପଦ୍ମ ତାର ହୃଦୟ-ହାର । ୩ ।
ଅନ୍ତର୍ଯ୍ୟାମୀ ନାରାୟଣ ନ ଜାଣ କି ଭୃତ୍ୟ ମନ
ବଞ୍ଚିପାରେ କି ସେ ତୁମ୍ଭ ଖଟଣୀ ତେଜି,
ଛାଡି ତୁମ୍ଭ ସହବାସ ଆର୍ତ୍ତେ ଢ଼ାଳେ ଦୀର୍ଘଶ୍ୱାସ
ଝୁରି ଝୁରି ମରେ ହୃତ ସୌଭାଗ୍ୟ ହେଜି,
ଚିନ୍ତାମଣି ବିକଳେ ଭାଷେ,
ନିଅ ପ୍ରଭୁ ସେବକକୁ ପୟର ପାଶେ । ୪ ।
[ ଆଷାଢ ଶୁକ୍ଳ ]
ଉତ୍କଳ ମହୀ ସୌଭାଗ୍ୟ ବିଧାତା,
କୈବଲ୍ୟ ଗୌରବ ସମ୍ପଦଦାତା,
ମଧୁର ମୂର୍ତ୍ତି ସୁଦର୍ଶନପାଣି,
ଅନିନ୍ଦ୍ୟ ସୁନ୍ଦର ମୋହନ ଠାଣି,
ପ୍ରଭୁ ଜଗନ୍ନାଥ,
ଜଗତ-ଭରସା ଦୁଃଖୀ ସଙ୍ଗାତ । ୧ ।
ଶରୀର ତବ ବିଶ୍ୱ ଚରାଚର,
ଯୁଗଳ ନେତ୍ର ଚନ୍ଦ୍ର ଦିବାକର,
ଅନିଳ ଶ୍ରୀଅଙ୍ଗ ତେଜ ବିକାଶ,
ପ୍ରଦୋଷ ପ୍ରଭାତ,
ତୁମ୍ଭ ଆଜ୍ଞାରେ ହୁଏ ଆତଯାତ । ୨ ।
ଆକାଶ ବିରାଟ ଶିର ତୁମ୍ଭର,
ମହାସାଗର ବିଶାଳ ଉଦର,
ଶିରାପ୍ରଶିରା ନଦନଦୀମାନ,
ମହିମା ତୁମ୍ଭର ମହା ମହାନ,
ପାତାଳ ଚରଣ
ବିରାଟ ପୁରୁଷ ବିଶ୍ୱଶରଣ । ୩ ।
ତୁମ୍ଭ ପରି ପ୍ରଭୁ ଲଭି ଭାଗ୍ୟରେ,
ପ୍ରାଣେ ମୁଁ ଦର୍ପ ଅନୁଭବ କରେଁ,
ବିଅର୍ଥ ନୁହେଁ ତ ମୋର ଏ ଗର୍ବ,
ପ୍ରଭୁଗୁଣେ ବଢ଼େ ଭୃତ୍ୟ ଗୌରବ
କହେ ଚିନ୍ତାମଣି,
ପ୍ରଭୁ ସମ୍ପଦେ ଭୃତ୍ୟ ସିନା ଧନୀ । ୪ ।
ବିଶ୍ୱ-କାରଣ, ବାରଣ-ତାରଣ ହେ,
ଶୁକ-ସାରଣ-ଦାରଣ-ନାରଣ ହେ । ୧ ।
ବ୍ରଜ-ବାଳକ-ଚାଳକ-ପାଳକ ହେ,
ସୃଷ୍ଟି-ଧାରକ, ତାରକ, ପାରକ ହେ । ୨ ।
ଘନ କାଳିଆ, କାଳିୟଦର୍ପହର,
ସାଧୁ-ସଜ୍ଜନ-ରଞ୍ଜନ, କଞ୍ଜକର ହେ । ୩ ।
ପ୍ରଭୁ ଚିର-ପୁରାତନ, ଚିରନବ,
ରାଜେ ଲୋମକୂପେ ତବ କୋଟି ଭବ । ୪ ।
ତୁମ୍ଭେ ସତ୍ୟ, ସାରାତ୍ସାର, ଶାସ୍ତ୍ର ଉଣେ,
ଚିତ୍ତ ସ୍ଥିତ ହେଉ ତବ ଶ୍ରୀଚରଣେ । ୫ ।
ତବ କୃପାରେ ଜୀବିତ ଜୀବକୁଳେ,
ଘେନ ପ୍ରେମ-ପୁଷ୍ପାଞ୍ଜଳି ପାଦମୂଳେ । ୬ ।
ସର୍ବ ଦେବଶିର ତବ ପାଦେ ଲୁଳେ,
ଘେନ ଭକ୍ତି-ଅର୍ଘ୍ୟ ହରି, ପାଦମୂଳେ । ୭ ।
କଲ ନନ୍ଦିତ ବନ୍ଦିତ ନନ୍ଦକୁଳେ,
ଘେନ ପୂଣ୍ୟ-ପ୍ରୀତି-ପୂଜା ପାଦମୂଳେ । ୮ ।
ବେଣୁ ବାଦ୍ୟ ନାଦ କର ନୀପମୂଳେ,
କୋଟି ଦଣ୍ଡବତ ତବ ପାଦମୂଳେ । ୯ ।
ରଚ ନିତ୍ୟ ଲୀଳା ନୀଳ ଶୈଳ ଚୂଳେ ,
ନମୋ ଦୀନ ଚିନ୍ତାମଣି ପାଦମୂଳେ । ୧୦ ।
( ୧ )
ଫେରି ଚାଲ ଘରକୁ ମନ,
କରିବୁ ଶ୍ମଶାନେ କେତେ କାଳ ଭ୍ରମଣ ? ପଦ ।
ବିରାଟ ଭୀଷଣ ସ୍ଥାନ ଅଟେ ଏ ମହାଶ୍ମଶାନ
ଜଳେ ଚିତାନଳ କରି ଶିଖା ତୋଳନ । ୧ ।
ନିରାଟ ନିଛାଟ ପଦା ଯହିଁ ଦେଖ ଭସ୍ମଗଦା
ଭ୍ରମୁଛନ୍ତି ଶବାହାରୀ ଜନ୍ତୁ ଭୀଷଣ । ୨ ।
ତାଙ୍କ ହର୍ଷ କୋଳାହଳ ଯେହ୍ନେ ପ୍ରଚଣ୍ଡ ଅନଳ
ଜାଳି ପୋଡି ଦେଉଅଛି ସଦା ଶ୍ରବଣ । ୩ ।
ଭୂତପ୍ରେତପିଶାଚାଦି ବୁଲନ୍ତି ବିକଟେ ନାଦି
ସେ ଗର୍ଜନେ ଉଡିଯାଏ ପିଣ୍ଡୁ ଜୀବନେ । ୪ ।
ଛାଡି ତୁହି ନିଜ ଘର କିପାଁ ହେଉ ହରବର
ବିଅର୍ଥେ ସହୁଛ କିପାଁ ଏତେ କଷଣ । ୫ ।
ରହିଛି ତୋ ସୁନାପୁର ନୁହେଁ ତ ସେ ବେଶି ଦୂର
ଅଛି ତହିଁ ପୂର୍ଣ୍ଣ ହୋଇ ଅଷ୍ଟରତନ । ୬ ।
ରାଜସୁଖ ପରିହରି ବୁଲୁଛୁ ଅର୍କ୍ଷିତ ପରି
କିଣୁ କିପାଁ ଏ ଦୁର୍ଦ୍ଦଶା ଅଧଃପତନ । ୭ ।
ଚାରିଆଡ଼ୁ ଶିବାଶ୍ୱାନ ଘେରି ଓଟାରନ୍ତି ପ୍ରାଣ
ଚିନ୍ତାମଣି କହେ ପଳା ପଳା ବହନ । ୮ ।
( ୨ )
ମନ, ତୁ କି ମୋର ହାକିମ,
ଜନ୍ମିଛି ମୁଁ ପାଳିବାକୁ ତୋର ହୁକୁମ । ପଦ ।
ସହିବି ଜୁଲମ୍ ତୋର ଖାଇଛି କୋ ତୋ ବାପର
କି ଚାରା ରେ, କ୍ଷୁଦ୍ର ମୁହିଁ ତୁ ଯେ ଅସୀମ । ୧ ।
ମୂର୍ଖପଣେ ତୁ ପ୍ରବୀଣ ଉତ୍ତରେ କହୁ ଦକ୍ଷିଣ,
ଏତେ ଭୁଲୁ କିପାଁ, ଖାଉ କି ରେ ଅଫିମ ? ୨ ।
ଅବ୍ୟର୍ଥ ତୋର ଆଦେଶ ହେଲେ ଆଡବାଙ୍କ ଲେଶ
ରକ୍ତଆଖି କରି ଗ୍ରୀବା କରୁ ବଙ୍କିମ । ୩ ।
କହ ମନ ଭଲ କଥା ଧରିବି ତା’ ପାତି ମଥା
ନୋହିଲେ ମାନିବି ନାହିଁ ତୋର ହୁକୁମ । ୪।
କି କରିବୁ କର ଆସି ଦେବୁ ଶୂଳୀ କିମ୍ବା ଫାଶି
ନ ସହିବ ଚିନ୍ତାମଣି ତୋର ଜୁଲୁମ । ୫ ।
( ୩ )
କେତେ ଆଉ ଖଟିଥିବୁ ପ୍ରବାସରେ ମନ,
ଚାକିରୀରେ ବୁଢ଼ା ହେଲୁ, ନେ ରେ ପେନ୍ସନ ।
ବିଦେଶରୁ ଯାଇ ଘରେ ରହ କିଛି କାଳ,
ବିଶ୍ରାମ ତୋହର ଲୋଡ଼ା, ଛାଡ଼ିଦେ ଜଞ୍ଜାଳ ।
ମାତୃସ୍ନେହ ପିତୃସ୍ନେହ ତୋର ଅପେକ୍ଷାରେ,
ବସିଛନ୍ତି ବ୍ୟଗ୍ରନେତ୍ରେ ତହିଁ ଏକାଧାରେ ।
ଗଲେ ତୋତେ ଭୁଞ୍ଜାଇବେ ସାଦରେ ଅମୃତ
ହରିଯିବ ପ୍ରବାସର ଅବସାଦ ଦ୍ରୂତ ।
ପାଇବୁ ସେଠାରେ ଶାନ୍ତି, ଶାନ୍ତି-ଆକର ସେ,
ମୈତ୍ରୀ ପ୍ରୀତି ଆସି ଚିତ୍ତ ହରିବେ ହରଷେ ।
ଲୋଡ଼ୁ ଯେବେ ପ୍ରାଣେ ସୁଖ ନ ହୋଇ ଉଦାସ,
ଏହିଲାଗେ କରିଦେ ତୁ ପେନ୍ସନ୍ ଦର୍ଖାସ ।
ବିଶ୍ୱରାଜ ଦରବାରେ ଜରୁର ଜରୁର,
ହେବ ତୋର ଦରଖାସ୍ ମୁକର ମଞ୍ଜୁର ।
ନ କରରେ କିଛି ଚିନ୍ତା ଚିତ୍ତ କର ମିଠା,
ଚିନ୍ତାମଣି କରିଦେବ ଦରଖାସ୍ ଚିଠା ।
ଏ କିଏ ହେ ନଟରାଜ, ଚାହୁଁ ଗୋଡ଼ ଟେକି,
ଲୁଚ ନାହିଁ ଲୁଚ ନାହିଁ, ସାରିଲିଣି ଦେଖି ।
ଆସିଅଛ ଯେବେ ବନ୍ଧୁ ବଳେ ବଳେ ଖାଲି,
ଆଗକୁ ନ ଆସି କିପାଁ ଖେଳ ଲୁଚକାଳି ।
କି ହୁନ୍ଦରବାଜ ତୁମ୍ଭେ, ନୀଳାଦ୍ରିସୁନ୍ଦର,
ଭୃତ୍ୟକୁ ଛଳିବା ବଡ଼ କୌତୁକ ତୁମ୍ଭର ।
ଦିଶୁଛ ବୁଜିଲେ ଆଖି ଚାହିଁ ଦେଲେ ନାହଁ,
କିଣାଜନେ ଭୋଜବାଜି କାହିଁକି ଦେଖାଅ ।
ନ ମିଳେ ଦର୍ଶନ ଯାଙ୍କ କୋଟି ଆରାଧନେ,
ବିନା ଆହ୍ୱାନରେ ତାଙ୍କୁ ଦେଖିଲି ନୟନେ ।
ଏହାଠାରୁ ଶୁଭ ଭାଗ୍ୟ କି ଅଛି ଅଧିକ,
ତୁମ୍ଭେ ତାହା ଜାଣ ମୁଁ ତ ଅଜଣା ପଥିକ ।
ବହୁ ତପେ ତୁମ୍ଭର ତ ନ ମିଳେ ଦର୍ଶନ,
ବିନା ଅର୍ଚ୍ଚନାରେ ହେଲ ଦୀନେ ସୁପ୍ରସନ୍ନ ।
ଏ ଦୟା, ଏ ଆଶୀର୍ବାଦ ନୁହେଁ ଭୁଲିବାର,
ଘେନା ହେଉ ସେବକର ଉଲ୍ଲାସ ଜୁହାର ।
-୧-
ହରି ହେ ମୁଁ ତୁମ୍ଭ ପାଦେ ବଡ ଅବିଶ୍ୱାସୀ,
ଫାଙ୍କି ଦେଇଅଛି ମୂଲ ଲାଗିବାକୁ ଆସି,
ତୁମ୍ଭ କିଆରିରେ କାମ,
କରିବାକୁ ପ୍ରାଣାରାମ,
ଆସି ହିଡମୂଳେ ବସି କଟାଇଲି ଦିନ,
ସଞ୍ଜବେଳେ ହେଉଅଛି ଅନୁତାପେ ଖିନ୍ନ ।
-୨-
ଏଥର ବି ପୋଡ଼ାବୁଦ୍ଧି ଠକାଇଲା ମୋତେ
ଭାସି ଯାଉଛି ମୁଁ ହାୟ ପଡି ଖରସ୍ରୋତେ,
ଏ ସମୟେ ତୁମ୍ଭେ ପ୍ରଭୁ,
ସାହାଭରସା ମୋ ସବୁ,
ରଖିଲେ ରଖିବ ନତୁ ନାହିଁ ଅନ୍ୟ ଗତି,
ମାଗୁଛି ଶରଣ ତେଣୁ ପ୍ରକାଶି ବିନତି ।
-୩-
ଏ ଜନ୍ମ ତ ମାଟି ହେଲା କରଣୀରୁ ମୋର,
ବଳେ ବଳେ ବାନ୍ଧି ହେଲି ନିଜ ଗୋଡ଼େ ଡ଼ୋର
ପରଜନ୍ମେ ଜାତିସ୍ମର,
କର ମୋତେ ଦୟାଧର,
ତେବେ ସିନା ଭବିଷ୍ୟତେ ହେବି ସାବଧାନ,
କିପାଇଁ ସୃଷ୍ଟିରେ ତବ ନାହିଁ ଏ ବିଧାନ ?
-୪-
ସ୍ୱଭାବରେ ମନୁଷ୍ୟ ତ ଭୋଳା ମହେଶ୍ୱର,
ସବୁ ଭୁଲିଯାଏ ମାଟି ଛୁଇଁଲେ ସତ୍ୱର,
ଗତ ଜୀବନର ସ୍ମୃତି,
ନ ଧରିଲେ ଚିତ୍ତେ ମୂର୍ତ୍ତି,
ଆତ୍ମଦୋଷ ସଂଶୋଧନ କରିବି କିପରି,
ଥିଲେ ଅନ୍ୟ ଉପାୟ ତା କହିଦିଅ ହରି !
ଚାଲୁ ଚାଲୁ ବାଟ ନ ହୁଡି
ମୃତ୍ୟୁସିନ୍ଧୁ ଆଚମ୍ବିତେ ଗଲି ହାବୁଡି । ପଦ ।
ଉତ୍ତାଳ ତରଙ୍ଗରାଜି
ଧାଏଁ ବେଗେ ଗଳଗାଜି
ଘୂର୍ଣ୍ଣାବର୍ତ୍ତେ କେତେ ତରି ଯାଉଛି ବୁଡି । ୧ ।
ହେରି ସିନ୍ଧୁ ରୁଦ୍ରରୂପ,
ଧୂମରୂପେ ଯଥା ଧୂପ
ଧୈର୍ଯ୍ୟ ତଥା ବାସ୍ପ ହୋଇ ଯାଉଛି ଉଡି । ୨ ।
କିଏ ସମର୍ଥ ଏପରି,
ବାହିବ ତା ବକ୍ଷେ ତରୀ,
ତୁମ୍ଭ କୃପା ବିନା ହରି ଯିବି ଉଜୁଡି । ୩ ।
ଦେଲେ ସିନା ପଦ-ତରୀ,
ଯିବି ତହିଁ ସିନ୍ଧୁ ତରି,
ନ ଦେଲେ ବେଳାରେ ବସି ଛାଡିବି ହୁଡି । ୪ ।
ସଞ୍ଜ ହେବାଯାଏଁ ତହିଁ,
ଡ଼ାକୁଥିବି ବସି ରହି,
ପାରି ନ କଲେ ନ ଯିବି କେବେ ବାହୁଡି । ୫ ।
କିଏ ସେ ତୁ ପଥିକ ରେ ଆସିଛୁ କାହୁଁ,
କାହିଁକି ଆସିଛୁ କାହା ଭାବୁ ତ ନାହୁଁ ! ପଦ ।
ଚାଲିଅଛୁ ଏକଧ୍ୟାନେ,
ନିଜକୁ ଅମୀର ଜ୍ଞାନେ,
ପଛକୁ ତ ଥରେ ହେଲେ ଫେରି ନ ଚାହୁଁ । ୧ ।
କିଏ ତୋର ପିତାମାତା,
କିଏ ବନ୍ଧୁ ଭଗ୍ନୀ ଭ୍ରାତା,
ପାନ୍ଥଶାଳେ ଛାଡିଯିବେ ରଜନୀ ପାହୁଁ । ୨ ।
ଯାହାକୁ ବୋଲୁ ନିଜର,
ସେହି ଏକା ସାତପର,
ଘୋଟିବ ସେ ତୋତେ ଯେହ୍ନେ ଚନ୍ଦ୍ରକୁ ରାହୁ । ୩ ।
ଯେତେ ଦମ୍ଭ କର ହିଆ,
ତଥାପି ତୁ ଏକୁଟିଆ,
ଆଶ୍ରାକର ସ୍ୱଧର୍ମର ଅଭୟ ବାହୁ । ୪ ।
ଚିରସଙ୍ଗୀ ଏକା ଧର୍ମ,
ଚିରସଙ୍ଗୀ ନିଜ କର୍ମ,
ସେ ବେନିକୁ ସଖା କର ସମୟ ଥାଉଁ । ୫ ।
ଅପନ୍ତରା ବିଲେ ଝାଟିମାଟିରେ ମୁଁ
ତୋଳିଥିଲି ଘରଖଣ୍ଡେ,
ଉଚ୍ଚରେ ସେ ଘର ତିନି ହାତୁଁ ବଳି
ଅଧିକ ଆଉ ଚାଖଣ୍ଡେ ।
ବହୁ ବରଷର ପୁରୁଣା ଘର ସେ
ଗଲାଣି ରିଜିଲା ହୋଇ,
ଝାଟିଗୁଡାକରେ ଘୂଣ ଲାଗିଲାଣି
ମାଟି ବି ଗଲାଣି ଧୋଇ ।
ଖୁଣ୍ଟଖଣ୍ଡ ସୁଦ୍ଧା ବଙ୍କେଇଗଲାଣି
ଆଗକୁ ପଡିଛି ଝୁଙ୍କି,
ପିଢ଼ାରୁ ଛଅଣ ଉଡ଼ାଇ ଦେଉଛି
ଜରା-ବଇଆର ଫୁଙ୍କି ।
ନଅଟା ଦୁଆର- ଯାକ ସେ ଘରର
ଗଲାଣି ହୋଇ ମୁକୁଳା,
ଚାଳବନ୍ଧା ଗଣ୍ଠି କେତେ ଛିଣ୍ଡିଲାଣି
ହେଲାଣି କେତେ ହୁଗୁଳା ।
ରୋଗ ଦୁଃଖ ଆଦି କେତେ କୀଟ ତହିଁ
ବାନ୍ଧିଲେଣି ଆସି ବସା,
ଆଜି କିମ୍ବା କାଲି ଦଦରା ଘରଟା
ପଡିବ ଭାଙ୍ଗି ସହସା ।
ଘରଖଣ୍ଡ ଗଲେ ଅ-ଘରା ହୋଇ ମୁଁ
ବୁଲିବି କୁଆଡେ ଯାଇ,
ଚିରକାଳ ପଛେ ଅଘରା ରହିବି
ଆଉ ଘର ଲୋଡ଼ା ନାହିଁ ।
‘‘ଘରକରଣାଟା ଝଅକ ମାରଣା’’
ବୁଝିଲିଣି ବହୁବାର,
ଶୂନ୍ୟେ ଉଡି ଉଡି ବୁଲିବି ଏଣିକି
ଘରକୁ କୋଟି ଜୁହାର ।
ଭାଙ୍ଗିଯାଉ ଘର ତହିଁ କି ମୋହର
ନାହିଁ ତିଳେ ମନ ବଥା,
ବିଶ୍ୱସମ୍ରାଟଙ୍କ ନଅରରେ ଯାଇ
ଗୁଞ୍ଜିବି ସୁଖରେ ମଥା ।
ଚିରଦିନ ପାଇଁ ରହିବି ସେଠାରେ
ହୋଇ ରାଜ-ପରିକର,
ସେ ସୁଖକୁ ଛାଡ଼ି କାହିଁକି ବା ଆଉ
ବାନ୍ଧିବି ଗୋଟାଏ ଘର ।
ରୋଗ, ଶୋକ, ଦୁଃଖ ଜରା, ମୃତ୍ୟୁଭୟ
ନାହିଁ ସେ ରାଜନବରେ,
ହସି ଖେଳି ତହିଁ କାଳ କଟାଇବି
ପୂଜିଣ ରାଜ-ପୟରେ ।
ଘରଖଣ୍ଡ ଚାଣ୍ଡେ ଭାଙ୍ଗିଦିଅ ହରି
ଉଚ୍ଚାଟ ହେଲାଣି ପ୍ରାଣ,
ଚିନ୍ତାମଣି କହେ ଆରତତ୍ରାଣ ହେ
ଆର୍ତ୍ତେ କର ପରିତ୍ରାଣ ।
ପ୍ରଭୁ, ଏ ବରଷାକାଳ ତୁମ୍ଭରି ବିଭୂତି,
ଢ଼ାଳୁଛି ପ୍ରକୃତି ମୁଖେ ଅମୃତ ଆହୁତି ।
ମହ୍ଲାର ରାଗିଣୀ ଗୀତ ଗାଉଛି ଚାତକ,
ଯୁଗେ ଯୁଗେ ମେଘର ସେ ପ୍ରଣୟୀ ସ୍ତାବକ ।
ତୁମ୍ଭରି କରୁଣାରାଶି ଜଳରୂପ ଧରି,
ପଡ଼ୁଚି ଶୂନ୍ୟରୁ ଆହା ଅନର୍ଗଳ ଝରି ।
ଆସାର ଆସାର ପଛେ, ତା ପଛେ ଆସାର,
ତୁମ୍ଭ ମହାଦାତାପଣ କରୁଛି ପ୍ରଚାର ।
କି ଉଦାର ଦାତା ତୁମ୍ଭେ, ଯେ ମାଗେ ସେ ପାଏ,
ନ ମାଗେ ଯେ ସେ ବି ପାଏ, ଦିଅ ନିଜ ଛାଏଁ ।
ନଦୀସ୍ରୋତରୂପେ ତୁମ୍ଭ ସ୍ନେହ ଆଶୀର୍ବାଦ,
କୋଟିମୁଖେ ଧାଏଁ ତାର ନାହିଁ ଅବସାଦ ।
ଗ୍ରୀଷ୍ମ ଶୁଷ୍କ ସୃଷ୍ଟିମୁଖେ ହାସ୍ୟ - ବିଦ୍ୟୁରେଖା,
ତୁମ୍ଭରି ଆଜ୍ଞାରେ ସିନା ଦିଏ ଆସି ଦେଖା ।
ଘଡ଼ଘଡ଼ି ଶବ୍ଦ ତବ ପ୍ରଣବ ଓଁ କାର,
ହେ ଦୟାଳୁ, ପାଦେ ତବ କୋଟି ନମସ୍କାର ।
ପ୍ରାଣବନ୍ଧୁ, ଘେନ ମୋର ପ୍ରାଣ-ନିମନ୍ତ୍ରଣ,
ତୁମ୍ଭେ ବିଶ୍ୱଚକ୍ରବର୍ତ୍ତୀ, ମୁଁ ନଗଣ୍ୟ ଜନ ।
ପୂଜିବି ପୟର ତବ - ତବ ଦତ୍ତ ଚିତେ,
କୃପା ବହି କର ପ୍ରଭୁ ହୃଦୟରେ ବିଜେ ।
ଅନ୍ୟ ପୂଜା ଦ୍ରବ୍ୟେ ମୋର ନାହିଁ କିଛି ଭାଗ,
କେବଳ ଯୋଡିଏ ମୋର - ଭକ୍ତି, ଅନୁରାଗ ।
ରଖିଛି ଭକ୍ତିରେ ଗଢ଼ି ରାଜ-ସିଂହାସନ,
ଅନୁରାଗ-ରତ୍ନେ ତାକୁ କରିଛି ମଣ୍ଡନ ।
ବସ ଆସି ତହିଁ ଦେବ ଭକ୍ତ ଭାବଗ୍ରାହୀ,
ଦେଖି ତୁମ୍ଭ ଜ୍ୟୋତିର୍ମୂର୍ତ୍ତି ଲଭିବି ମୁଁ ତ୍ରାହି ।
ତୁମ୍ଭରି ଉଦ୍ୟାନୁ ତୋଳି କୁସୁମସମ୍ଭାର,
ଗୁନ୍ଥି ତାହା ଲମ୍ବାଇବି ତୁମ୍ଭ କଣ୍ଠେ ହାର ।
ଏହିଟିକ ଶାଧ ମୋର କର ହେ ପୂରଣ,
ପ୍ରତିଦାନେ କରିବି ମୁଁ ଆତ୍ମସମର୍ପଣ ।
ଦୀନ ବୋଲି ନ କର ମୋ ନିମନ୍ତ୍ରଣେ ହତ,
ମୁଁ ସିନା ଇତର, ମାତ୍ର ତୁମ୍ଭେ ଯେ ମହତ ।
ମହତ ସମୀପେ କଲେ ବିନୟେ ପ୍ରାର୍ଥନା,
ସଫଳ ନିଶ୍ଚୟ ହୁଏ ଯାଚକ କାମନା ।
ତୁମ୍ଭେ କୃପା-ଜଳଧର, ମୁଁ ଦୀନ ଚାତକ ।
ତୁମ୍ଭେ ମହାଦାନଶୀଳ, ମୁଁ ଛାର ଯାଚକ ।
ପୋଛିଦିଅ ହରି ପୋଛିଦିଅ ଚାଣ୍ଡେ
ମନରୁ ପୁରୁଣା କଥା,
କି ଫଳ ଫଳିବ ଦହି ହେଉଥିଲେ
ସୁମରି ଅତୀତ ବ୍ୟଥା ।
ନିରାଟ ବିରାଟ ମରୁଭୂମିରେ ମୁଁ
ବୁଲୁଥିବି କେତେ କାଳ,
ତତଲା ବାଲିରେ ଗୋଡ଼ ପୋଡ଼ିଗଲା
ଦୁଃଖ ହେଲା ଅସମ୍ଭାଳ ।
ବାଟ ଦେଖାଅ ହେ ଦୟାମୟ ହର
ଭ୍ରାନ୍ତ ପଥିକକୁ ବାରେ,
ଜୀବନ ନିର୍ଭର କରିବାର ସ୍ଥାନ
ଦେଖୁ ତ ନାହିଁ ସଂସାରେ ।
କାହାକୁ ଦୋଷିବି କେହି ନୁହେଁ ଦୋଷୀ
ଏକା ମୋର ବ୍ୟତିରେକେ,
ନିଜ ହାତେ ଫାଶ ବଳି ସେହି ଫାଶ
ଲଗାଇଛି ନିଜ ବେକେ ।
ଏକୁଟିଆ ବାଟେ ଛାନିଆ ଲାଗୁଛି
କରୁଅଛି ତେଣୁ ତାକୁ,
ବିରାଟ ଶକତି ଶୋଇଛି ମୋ ଦେହେ
ଉଠାଇଦିଅ ହେ ତାକୁ ।
ମୋହରି ଭିତରେ ଅଛ ତୁମ୍ଭେ ପ୍ରଭୁ
ଅଛି ମୁଁ ତୁମ୍ଭ ଭିତରେ,
ଏ କଥାକୁ ତୁମ୍ଭେ ଚେତାଇ ନ ଦେଲେ
ବୁଝି ନୁହେଁ ସହଜରେ ।
ମହାଶକ୍ତିର ମୁଁ ସନ୍ତାନ, ଏ କଥା
ଭୁଲିଯାଇଛି ମୁଁ ଆହା,
ଜ୍ଞାନମନ୍ତ୍ର ବାରେ ଫୁଙ୍କିଦେଇ କାନେ
ଦେଖାଅ ମଙ୍ଗଳ ରାହା ।
ଭରିଦିଅ ପ୍ରଭୁ ଭରିଦିଅ ପ୍ରାଣେ
ଅହିଂସାପୂର୍ଣ୍ଣ ଆନନ୍ଦ,
ନିଭାଇଦିଅ ମୋ ହୃଦୟ-କ୍ଷେତ୍ରରୁ
କୋଟି ବାସନାର ଦ୍ୱନ୍ଦ୍ୱ ।
ତୁଟିଯାଉ ମୋର ତୀବ୍ର ଆଶା-ନିଶା
ତୁଟିଯାଉ ଭବ-ତ୍ରାସ,
ଦୁଃଖେ ସୁଖେ ସଦା ସମ ଭାବେ ମୋର
ପରାଣ ହେଉ ଉଦାସ ।
ଶୋକ ତାପ ଆଉ ଅନୁଭୂତି ସବୁ
ଦିଅ ମୋ ମନରୁ ପୋଛି,
ପ୍ରେମ-ରଥେ ମୋର ଦିଅ ପ୍ରେମମୟ
ସତ୍ୟନିଷ୍ଠା-ଅଶ୍ୱ ଯୋଚି ।
ଅନ୍ତରର ଗୁପ୍ତ ଅନ୍ତସ୍ତଳେ ପୁଣି
ତାର ଗୁପ୍ତ ଅନ୍ତସ୍ତଳେ,
ସବୁବେଳେ ତୁମ୍ଭ ଜ୍ୟୋତିର୍ମୟ ମୂର୍ତ୍ତି
ନାଚୁ ଖେଳୁ କୁତୂହଳେ ।
ପ୍ରତିକାର୍ଯ୍ୟେ ପ୍ରତି- କଳ୍ପନାରେ ଉଠ
ତୁମ୍ଭରି ପ୍ରଭାବ ଫୁଟି,
କର୍ମ ଅବସାନେ ତୁମ୍ଭ ପାଶେ ଆତ୍ମା
ମହାନନ୍ଦେ ଯାଉ ଛୁଟି ।
ଖୋଜୁ ନାହିଁ ପ୍ରଭୁତ୍ୱ ମୁଁ ଖୋଜୁଛି ଦାସତ୍ୱ,
ପ୍ରଭୁତ୍ୱକୁ ବଳିଯାଏ ଦାସତ୍ୱ-ମହତ୍ତ୍ୱ ।
ଯୁଗେ ଯୁଗେ ଅଛି ସଦା ଦାସତ୍ୱ-ସମ୍ମାନ,
ନନ୍ଦିଘୋଷ ଧ୍ୱଜଶିରେ ଗରୁଡ଼ର ସ୍ଥାନ ।
ବୃଷଧ୍ୱଜେ ବସେ ବୃଷ ଶିବଙ୍କ ଉପରେ,
ବ୍ରହ୍ମାରଥେ ହଂସ ଥାଏ ସ୍ୟନ୍ଦନ ଶିଖରେ ।
ନୁହେଁ ଭକ୍ତ ସେବକର ମହିମା ସାମାନ୍ୟ,
ପ୍ରଥମେ କହନ୍ତି ଭକ୍ତ, ପଛେ ଭଗବାନ ।
କାହିଁଛି ସେଭଳି ମୋର ସୌଭାଗ୍ୟ-ବିଭବ,
ଲଭିବି ହେ ପ୍ରଭୁ ତୁମ୍ଭ ସେବକ ଗୌରବ ।
ମିଳେ ତାହା ଦୁଇ ମତେ, ପୂର୍ବ ତପ ଫଳେ,
କିମ୍ବା ତୁମ୍ଭେ ଦୟା କରି ଦେଲେ ବଳେ ବଳେ ।
ପ୍ରଥମଟି ଅର୍ଜିବାକୁ ଶକ୍ତି ଆଉ ନାହିଁ,
ବେଳ ନାହିଁ, ସେ ଆଶା ବା କରିବି କିପାଇଁ ?
ଶେଷଟି ମିଳିଲେ ପ୍ରାଣେ ନ ମଣନ୍ତି ତୁଚ୍ଛ,
ନ ଗଣି ମୁଁ ଇନ୍ଦ୍ରପଦେ ମଣନ୍ତି ନିକୁଚ୍ଛ ।
ତୁମ୍ଭେ ମନ କଲେ ଏହା ନୁହେଁ ବଡ଼ କଥା,
ମଣ୍ଡିପାର ମୁକୁଟରେ ଦୀନହୀନ ମଥା ।
ନାହିଁ ତ ତୁମ୍ଭର କିଛି ଅସାଧ୍ୟ, ଅଦେୟ,
ତୁମ୍ଭ ଯୋଗୁଁ ମୁକ୍ତି ଲଭେ ଅପଦାର୍ଥେ, ହେୟ ।
ଲତାକୁଞ୍ଜେ ଦୋଳି ଖେଳେ ଏ କାହା ସୁତ,
ଶ୍ରୀଅଙ୍ଗର ଜ୍ୟୋତି ନିନ୍ଦେ ନୀଳ ଜୀମୂତ । ୦ ।
ସଧୀରେ ପାଦ ହଲାଇ,
ବଂଶୀସ୍ୱରେ ଗୀତ ଗାଇ,
କେତେ ଠାଣିରେ ଝୁଲେ ସେ ସୁଶ୍ରୀ ବାଳୁତ । ୧ ।
ଶ୍ରୀମୁଖ, ଜ୍ୟୋତିରେ ସ୍ନାନ-
କରି, ଦିଶେ ଶୋଭମାନ,
ନୀଳ କମଳ କି ଜ୍ୟୋତ୍ସ୍ନାଜଳେ ସମ୍ଭୂତ । ୨ ।
କି ଭଙ୍ଗୀରେ କଟିତଟେ,
ପିନ୍ଧିଛି ସେ ପୀତପଟେ,
ଖେଳୁଛି କି ବ୍ରଜେ ଆସି ମୁକ୍ତିର ଦୂତ । ୩ ।
ପିଲାଟି ତ ଅତି ସାନ,
ଜନ୍ମି ନ ଥିବ ତ ଜ୍ଞାନ,
ଓଟାରେ ହୃଦରୁ ଭକ୍ତି ଏ କି ଅଦ୍ଭୁତ । ୪ ।
କବି କହେ ସେ ବାଳକେ,
ଚିହ୍ନି ନୁହେଁ ଅଳପକେ,
ଘୋଟିଛି ସେ ଚରାଚରେ ଯେହ୍ନେ ମାରୂତ । ୫ ।
ଲୁଚିଗଲା ଯାହା ଚରଣ-
ତଳେ ଧରା ଗଗନ,
ଗୋପଦାଣ୍ଡେ ଏବେ ଖେଳେ ସେ
ହୋଇ ନନ୍ଦନନ୍ଦନ । ୧ ।
ଯୋଗଧ୍ୟାନେ ଯାକୁ ଯୋଗୀଏ
ଦେଖିପାରନ୍ତି ନାହିଁ,
ସେ ଏବେ ଗଉଡ଼ ପୁଅଙ୍କ
ମେଳେ ଚରାଏ ଗାଈ । ୨ ।
ଜଗତକୁ ପଡି ବାଣ୍ଟେ ଯେ
ନିତି କରି ତାଲିକା,
ବିଦୂର ଘରେ ସେ ଭୁଞ୍ଜଇ
ଶାଗ ଖୁଦ କଣିକା । ୩ ।
ଭକ୍ତିରେ ବ୍ରହ୍ମାଣ୍ଡ ଯାହାର
ପୂଜା କରେ ପୟର
ସଭା ପଡିଆରୀ ଶାଢ଼ୀ ସେ
ନେଲେ ପାଣ୍ଡବଙ୍କର । ୪ ।
ସର୍ବଦେହ-ରଥେ ବସନ୍ତି
ଯେହୁ ହୋଇଣ ରଥୀ,
ଅର୍ଜ୍ଜୁନ ରଥ ସେ ବାହାନ୍ତି
ହୋଇ ତାର ସାରଥି । ୫ ।
ଭକ୍ତିଭାବେ ବଶ ହୁଅନ୍ତି
ସିନା ବିଶ୍ୱଠାକୁର,
ଭାବରେ ବସନ୍ତି କତିରେ
ମାତ୍ର ଅଭାବେ ଦୂର । ୬ ।
କରିଥିଲା କଂସ କି ତପ
କାହିଁ କି ମନ୍ତ୍ର ଭଣି,
ଶତ୍ରୁ ଭାବରେ ସେ ପାଇଲା
ମୁକ୍ତି-ପରଶମଣି । ୭।
ଧନ୍ୟ ହରି ତୁମ୍ଭ ମହିମା
ଧନ୍ୟ ତୁମ୍ଭ କରୁଣା,
ଶତ୍ରୁ ପ୍ରତି ସେହି କରୁଣା
ନୁହେଁ କଣିକେ ଊଣା । ୮ ।
ଶତ୍ରୁ ଯେ ସେ ସିନା ତୁମ୍ଭର
ଅତି ଗୁପ୍ତ ଭକତ,
ଅଚିରେ ତାହାକୁ ସଂସାରୁ
ତେଣୁ କର ମୁକତ । ୯ ।
ଭାବବିନୋଦିଆ ହରି ହେ
ତୁମ୍ଭ ଲୀଳା ବିଚିତ୍ର,
ଶତ୍ରୁ ମିତ୍ର ଭେଦ ନ ଘେନ
ତୁମ୍ଭେ ଶତ୍ରୁର ମିତ୍ର । ୧୦ ।
ସ୍ପର୍ଶମଣି ସ୍ପର୍ଶେ ଲୁହା ହୋଇଯାଏ ସୁନା,
ନୁହେଁ ସେ ପଡିଆ, ତାକୁ ବରବାନୀ ଊଣା ।
ସେ ମଣିର ମହାଜ୍ୟୋତି ଅନନ୍ତ ଅପାର,
ଆଲୋକିତ କରିଦିଏ ଭିତର ବାହାର ।
କିନ୍ତୁ ସବୁ ଲୁହାଭାଗ୍ୟେ ନ ଘଟେ ଏ ସୁଖ,
ନ ପାଏ ସେ, ଦେବକୃପା ଯାହାକୁ ବିମୁଖ ।
ଛୁଇଁଲେ ଜ୍ଞାନର ଜ୍ୟୋତି, ହୁଏ ଜ୍ୟୋତିର୍ମୟ-
ନିବିଡ ଅନ୍ଧାରପୂର୍ଣ୍ଣ ଅଜ୍ଞାନ ହୃଦୟ ।
ଧର୍ମ ଏକା ସ୍ପର୍ଶମଣି ଦୁର୍ଲଭ ରତନ,
କଳଙ୍କିତ ନର-ଲୌହେ କରେ ସେ କାଞ୍ଚନ ।
ସ୍ପର୍ଶମଣି ପରଂବ୍ରହ୍ମ ସେ ମଣିପରଶେ,
ମାଟି ସୁଦ୍ଧା ସଇସୁନା ଆସନରେ ବସେ ।
ସେ ମଣି ସନ୍ଧାନ ଯେବେ ପାରନ୍ତା କେ କହି,
ଖଟନ୍ତି ମୁଁ ତା ପୟରେ ଭୃତ୍ୟପଣେ ରହି ।
କୃଷ୍ଣଙ୍କୁ ପାଇଲେ ଗୋପୀ କି ତପ କରି,
ତପୀ ଭାଗ୍ୟ ନୁହେଁ ଗୋପୀ ଭାଗ୍ୟକୁ ସରି । ପଦ ।
ଗୋପୀଏ ବୁଝନ୍ତି ପ୍ରେମ,
ମଣନ୍ତି ତା ଖାଣ୍ଟି ହେମ,
ରତ୍ନ ଚିହ୍ନି ଜାଣନ୍ତି ସେ ରତ୍ନ-ଜହରୀ । ୧ ।
ତେଜ୍ୟା କରି ଘରଦ୍ୱାର,
ପତିପୁତ୍ର ପରିବାର,
ଖଟିଛନ୍ତି କୃଷ୍ଣପାଦେ ଯେହ୍ନେ କିଙ୍କରୀ । ୨ ।
ଧନ୍ୟ ସେ ଗୋପ-ରମଣୀ,
ଭୁଞ୍ଜାନ୍ତି ସରଲବଣୀ,
ବାତ୍ସଲ୍ୟ ଭାବରେ କୃଷ୍ଣେ କୋଳରେ ଧରି । ୩ ।
ଦେହ ଆତ୍ମା ପ୍ରାଣମନ,
କରି କୃଷ୍ଣେ ସମର୍ପଣ,
ମହା ତ୍ୟାଗବ୍ରତ ସର୍ବେ ଛନ୍ତି ଆଚରି । ୪ ।
ପ୍ରୀତି-ସୂତ୍ରେ କୃଷ୍ଣନାମ,
ଗୁନ୍ଥି ସେ ନାରୀ-ଲଲାମ,
ରତ୍ନହାର ରୂପେ କଣ୍ଠେ ଅଛନ୍ତି ଭରି । ୫ ।
ପରିହରି କ୍ଷୁଧାତୃଷା,
ଶୋଭାଙ୍ଗୀ କୁରଙ୍ଗୀଦୃଶା,
ବାଳମୁକୁନ୍ଦେ ସେବନ୍ତି ଦିବାଶର୍ବରୀ । ୬ ।
କି ଉଚ୍ଚାଟ-ମନ୍ତ୍ର-ପାଣି,
ପିଆଇଛି ବେଣୁପାଣି,
କବି କହେ ଜାଣେ ଶ୍ୟାମ କେତେ ଶାମ୍ବରୀ । ୭ ।
ମାୟା-ମଶାରିର ମଧ୍ୟରେ
ବନ୍ଦୀ ଜୀବନ-ମଶା,
ଉଦ୍ଧାରର ବାଟ ନ ପାଇ
ଉଡିଯାଏ ତା ହଂସା ।
ଜୀବନ ବିକଳେ ମଶାରି -
ଗର୍ଭେ ବୁଲୁଛି ଘୂରି,
ହୃଦୟରୁ ତାର ଧଇର୍ଯ୍ୟ
କାଳ ନେଇଛି ତୁରି ।
ଘଣ ଘଣ ସ୍ୱରେ କାନ୍ଦୁଛି
କିଛି ବୁଦ୍ଧି ନ ପାଇ,
ଟେକିଦିଅ ପ୍ରଭୁ ମଶାରି
ମଶା ଯାଉ ପଳାଇ ।
ଜୀଇ ଥାଉଁ ଥାଉଁ ମରଣ
ହୋଇସାରିଛି ତାର,
ମଡା ଦେହଟାରେ ନ କର
ଆଉ ଖଣ୍ଡା ପ୍ରହାର ।
କାହିଁକି ବା ତୁମ୍ଭେ ଟାଙ୍ଗିଛ
ମାୟା-ମଶାରି ଖଣ୍ଡି,
କି ପୌରୁଷ ଲଭ ହରି ହେ
ସୃଷ୍ଟ ଜୀବକୁ ଦଣ୍ଡି ।
କାଢ଼ିଦେଇ ତାକୁ ସମ୍ବର
ପ୍ରଭୁ ମାୟାର ଢ଼େଉ,
ମୁକ୍ତ ନଭତଳେ ବିଚରି
ଜୀବ ସବଳ ହେଉ ।
ବନ୍ଦିଶାଳୁ ମୁକ୍ତ ନ କଲେ
ଉଡିଯିବ ତା ଜୀବ,
ପୂଣ୍ୟନାମେ ତବ ସନ୍ତାନ-
ହତ୍ୟା ପାପ ଲାଗିବ ।
ଜାଣୁଁ ଜାଣୁଁ କିପାଁ ଅର୍ଜିବ
ଏତେ ଅପକୀରତି,
କବି କହେ ତାହା ସନ୍ତାନ -
ପ୍ରାଣେ ବାଧିବ ଅତି ।
ଦେବ-ଶିଶୁଟିଏ ଆହା ବଜାଇ ବେଣୁ,
ଗୋପାଳ ପୁଅଙ୍କ ମେଳେ ଚରାଏ ଧେନୁ । ୦ ।
କି ମଧୁର ମନୋହର,
ରୂପ ତା ଅପଟାନ୍ତର,
ଶ୍ୟାମଦେହେ ବୋଳିଅଛି କୁସୁମ-ରେଣୁ । ୧ ।
ତରଙ୍ଗ-କୁଞ୍ଚିତବେଶ,
ନବ ନଟବର ବେଶ,
ମଞ୍ଚ-ମାନବ ନୁହେଁ ସେ ଆସିଛି କେଣୁ । ୨ ।
ଶ୍ରୀ ଅଙ୍ଗରୁ ଜ୍ୟୋତି ଝରେ,
ସୁହାସ ହସେ ଅଧରେ,
ଖେଳୁଛି କି ବନସ୍ତରେ ବାଳ-କରେଣୁ । ୩ ।
ହେଉ ସେ ପଛକେ ଶିଶୁ,
ନେତ୍ରେ ପଛେ କ୍ଷୁଦ୍ର ଦିଶୁ,
କବିର ସେ ପ୍ରାଣପ୍ରଭୁ ଭରସା ତେଣୁ । ୪ ।
ମନ ଊଣା କରି କିପାଁ ବସିଛ ରାଧେ,
ଡ଼ାକନ୍ତି ତୁମ୍ଭଙ୍କୁ କାହ୍ନୁ ମୂରଲୀ ନାଦେ । ୦ ।
ପ୍ରକୃତି ପୁରୁଷ ତୁମ୍ଭେ,
ଯୁଗେ ଯୁଗେ ସଙ୍ଗୀ ଉଭେ,
କି ଭୟ ତୁମ୍ଭର ବ୍ୟର୍ଥ ଜନାପବାଦେ । ୧ ।
ତୁମ୍ଭେ ଯେ ଗୋଲୋକବାସୀ,
ଭୁଲିଗଲ ମଞ୍ଚେ ଆସି,
ସ୍ୱର୍ଗରାଜ୍ୟେ ରାଜା ଇନ୍ଦ୍ର ତୁମ୍ଭ ପ୍ରସାଦେ । ୨ ।
ତୁମ୍ଭେ ଲକ୍ଷ୍ମୀ ନିଶ୍ଚେ ଜାଣ,
ଏ ସୃଷ୍ଟି ତୁମ୍ଭ ଭିଆଣ,
ତେତିଶ କୋଟି ଦେବତା ଖଟନ୍ତି ପାଦେ । ୩ ।
କୃଷ୍ଣ ସ୍ୱୟଂ ନାରାୟଣ,
ତ୍ରିଜଗତ ପରାୟଣ,
ତାଙ୍କ ପ୍ରିୟା ହୋଇ କିପାଁ ମଗ୍ନ ବିଷାଦେ । ୪ ।
ତୁମ୍ଭ ବେନିଙ୍କ ପ୍ରଣୟ,
ସବୁ କାଳେ ତ ଅକ୍ଷୟ,
ନ ଗଣେ ପ୍ରଣୟ ରାଧେ କୋଟି ପ୍ରମାଦେ । ୫ ।
ଉଠ ଉଠ ଚନ୍ଦ୍ରାବଳୀ,
ମୂରଲୀ କରୁଛି ଅଳି,
ସଖୀ କହେ କୃଷ୍ଣେ ଯାଇ ଭେଟ ଆହ୍ଲାଦେ । ୬ ।
ଶୁଭୁଛି ଶୁଣ ଅବାଧେ,
ବଂଶୀ ଡ଼ାକେ ରାଧେ ରାଧେ,
ଅଭିମାନ ତେଜି ବେଗେ ଚାଲ ଗୋ ହାଦେ । ୭ ।
ଉତ୍ସବେ ମିଶିଲେ ଖେଦ,
ପ୍ରୀତିରେ ହେଲେ ବିଚ୍ଛେଦ,
ଦୁର୍ବଚନ ପ୍ରାୟେ ତାହା ମର୍ମକୁ ବାଧେ । ୮ ।
ତୁମ୍ଭଙ୍କୁ ସେ ନନ୍ଦଶିଷ,
ଦେଇ ନାହାନ୍ତି ବା କିସ,
ଭକ୍ତ ତୁଣ୍ଡେ ତୁମ୍ଭ ନାମ ବୋଲାନ୍ତି ଆଦ୍ୟେ । ୯ ।
ଶୁଣ ଦେବୀ ଭୃତ୍ୟବାଣୀ,
ମାନ ତେଜ ରାଧାରାଣୀ,
କବି କହେ ଦଣ୍ଡ ନାହିଁ ନିରପରାଧେ । ୧୦ ।
ମହାନିଦ୍ରେ ! ଜୀବନର ବିଶ୍ରାମଦାୟିନୀ,
ଜଗତ ଜଞ୍ଜାଳଜ୍ୱାଳା ଶୀତଳକାରିଣୀ ।
ଉପସ୍ଥିତ ହେଲେ ଆସି ଅନ୍ତିମ ସମୟ,
ଲଭେ ଜୀବ ତୁମ୍ଭ ଅଙ୍କେ ଅଭୟ ଆଶ୍ରୟ ।
ଭୁଞ୍ଜାଅ ତାହାକୁ ତୁମ୍ଭେ ସୁଖଶାନ୍ତି ସୁଧା,
ହରିନିଅ ମାତୃସ୍ନେହେ ତାର ତୃଷାକ୍ଷୁଧା ।
ଭୁଲେ ସେ ଆଶାର ମନ୍ତ୍ର, ବାସନାର ଜ୍ୱାଳା,
ଭୁଲିଯାଏ ଅଗ୍ନିଗର୍ଭ ବିଶ୍ୱ-ବନ୍ଦିଶାଳା ।
ବନ୍ଦ ହୁଏ ଦୀର୍ଘଶ୍ୱାସ ପ୍ରାଣ ହାହାକାର,
ପୋଡିଯାଏ ଅଭିମାନ, ଦର୍ପ, ଅହଙ୍କାର ।
ଦୟାମୟୀ ଦେବୀ ତୁମ୍ଭେ, ଦେବପ୍ରାଣ ତବ,
ମର୍ତ୍ତ୍ୟଜୀବ ଦୁଃଖ ଦେଖି ହୋଇଯାଏ ଦ୍ରବ ।
ତହୁଁ ତାକୁ ଟାଣିନିଅ କୋଳକୁ ନିଜର,
ତବ ସ୍ପର୍ଶେ ପ୍ରାଣ ତାର ହୁଏ ଶୁଦ୍ଧତର ।
ଧର ତୁମ୍ଭେ ଉପନାମ ମୃତ୍ୟୁ ବା ମରଣ,
ଜୀବନ-ନାଟ୍ୟର ରତ ନବ ସଂସ୍କରଣ ।
ପାଠଶାଠ କିଛି ମୋର ହେଲା ନାହିଁ ହରି,
ବେଳ ଗଲା ପଞ୍ଚେନ୍ଦ୍ରିୟ ପୂଜା କରି କରି ।
ନାହିଁ ତହିଁ ଲାଭ କିଛି ବେଠିମାତ୍ର ସାର,
ଦଣ୍ଡ ଅଛି ତହିଁ ମାତ୍ର ନାହିଁ ପୁରସ୍କାର ।
କେତେ ଆଉ ଖଟିଥିବି ତାଙ୍କ ମନ ଜାଣି,
ଏ ପୋଡା କପାଳ ପ୍ରଭୁ କାହୁଁ ଦେଲ ଆଣି ?
ବାସନା-ବଇରୀ ମୋର ଯେହ୍ନେ ରକ୍ତବୀଜ,
ବଚନକୁ ବଳିଯାଏ ତାହାର ପହିଳ ।
ନାହିଁ ତାର ମୃତ୍ୟୁ, ତାକୁ ମାରିବ ବା କିଏ,
ଗୋଟାକୁ ମାଇଲେ ଉଠେ ହୋଇ ସେ କୋଟିଏ ।
ଖାଇ ସେ ଅମର ଲଡ଼ୁ ହୋଇଛି ଅକ୍ଷୟ,
ଅସ୍ତ ସଙ୍ଗେ ସଙ୍ଗେ ତାର ଲାଗିଛି ଉଦୟ ।
ଚଣ୍ଡୀରୂପେ ତୁମ୍ଭେ ତାକୁ ନ କଲେ ସଂହାର,
ସେ ରାକ୍ଷସ ହସ୍ତୁ ମୋର କାହିଁ ଛି ନିସ୍ତାର ।
କେବେ ତୁମ୍ଭେ ହୁଅ ତାତ କେବେ ହୁଅ ମାତ,
ମାତୃରୂପେ କର ମୋର ଶତ୍ରୁକୁ ନିପାତ ।
ଯୁଗେ ଯୁଗେ ତୁମ୍ଭେ ପରା ହୋଇ ଅବତାର,
ପ୍ରବଳେ ସଂହାରି କର ଦୁର୍ବଳେ ଉଦ୍ଧାର ।
ଏବେ ଥରେ ଅବତରି କର ଦେବି ଧ୍ୱଂସ,
ମୋର ଏ କାମନାରୂପ ରକ୍ତବୀଜ ବଂଶ ।
କି ଅଦ୍ଭୁତ ଶିଶୁ ସଖି ନନ୍ଦଦୁଲାଳ,
ଦିନୁ ଦିନୁ କଂସକୁ ତ ହେଲା ସେ କାଳ । ୦ ।
କରି ତା ଶାଖା ଛେଦନ,
କରୁଛି ଶକ୍ତି ଶୋଷଣ,
ଶେଷରେ କାଟିବ ମୂଳ ବୁଝିଣ କାଳ । ୧ ।
ନ କରେ କଂସକୁ ଶଙ୍କା,
ବଧ କଲା ଷଣ୍ଢା ବକା,
କଲା ପୁଣି ଅଘାସୁର ମୁଣ୍ଡ ଦିଫାଳ । ୨ ।
ଅତି କ୍ଷୁଦ୍ର କଳେବରେ,
କି ବିରାଟ ଶକ୍ତି ଧରେ,
ଟେକିଲା ସେ ଗୋର୍ବଦ୍ଧନ ଗିରି ବିଶାଳ । ୩ ।
ସେ ଯେ ପ୍ରଭୁ ବିଶ୍ୱପାଳ,
ମାୟାରେ ଗୋପାଳ ବାଳ,
ଦୃପ୍ତ କେଶରୀ ସେ, କଂସ ଛାର ଶୃଗାଳ । ୪ ।
ନ ଚିହ୍ନି କଂସ ଚଣ୍ଡାଳ,
କଲା ତାହାକୁ କଟାଳ,
କର୍ମ ଅବଳକୁ ହୁଏ ବୁଦ୍ଧି ବିଟାଳ । ୫ ।
ସେ ଦୁର୍ବଳ-ବଜ୍ରସେହ୍ନା,
ଦୁର୍ଜନ ଜୀବନ ଘେନା,
କବି କହେ ଫାଟିଲାଣି କଂସ କପାଳ । ୬ ।
କିଏ ତୁମ୍ଭେ ମାୟାଧର କେତେ ମାୟା ଜାଣ,
ମାୟା ତୁମ୍ଭ ମହାଛାୟା, ତୁମ୍ଭେ ମାୟାପ୍ରାଣ ।
ଅଛ ତୁମ୍ଭେ ହିମାଦ୍ରିରେ ପୁଣି ରେଣୁ ମଧ୍ୟେ,
ଛନ୍ଦେ ଅଛ, ସ୍ୱରେ ଅଛ, ଅଛ ଗଦ୍ୟେ, ପଦ୍ୟେ ।
ମୂଳ, କାଣ୍ଡ ଶାଖାପତ୍ର ଶିରା ପ୍ରଶିରାରେ,
ସର୍ବତ୍ର ବିରାଜ ତୁମ୍ଭେ ଜୀରାରେ ହୀରାରେ ।
ନାସ୍ତିକ ଚଣ୍ଡାଳଠାରୁ ତପସ୍ୱୀ ପର୍ଯ୍ୟନ୍ତ,
ସମସ୍ତଙ୍କ ପ୍ରାଣେ ତୁମ୍ଭ ସତ୍ତା ସ୍ଥିତିବନ୍ତ ।
ଅଣୁରେ ତୁମ୍ଭଙ୍କୁ ସ୍ଥାନ ହୁଏ ନାହିଁ ଜାକ,
ବ୍ୟାପିଛି ବ୍ରହ୍ମାଣ୍ଡଯାକ ନାହିଁ ତିଳେ ଫାଙ୍କ ।
ତୁମ୍ଭେ ରୂପବନ୍ତ, ସାନ୍ତ, ଅରୂପ, ଅନନ୍ତ,
ମହିମା ତୁମ୍ଭର ପ୍ରଭୁ ଅତିରୁ ଅତ୍ୟନ୍ତ ।
ତୁମ୍ଭେ କାମଗତି, ପୁଣି ଗତିହୀନ ସ୍ଥାଣୁ,
ମହାକାୟ ହସ୍ତୀ ତୁମ୍ଭେ, ଅଦୃଶ୍ୟ ଜୀବାଣୁ ।
ମାୟାର କଳ୍ପନା ତବ ଏ ବିଶ୍ୱ ଭୁବନ,
ଜୀବନ ବୋଲନ୍ତି ଯାକୁ ସେ ଦୀର୍ଘ ସ୍ୱପନ ।
ମାୟାମୟ ମାୟା ତବ ଧାରଣାକୁ ବଳେ,
ମାୟାରେ ଅଶେଷ ବିଶ୍ୱ ଗୁନ୍ଥିଛ କୌଶଳେ ।
ମାୟାରେ ବାନ୍ଧିଛ ପୁଣି ସଂସାର ଶୃଙ୍ଖଳା,
ଏ ବିରାଟ ସୃଷ୍ଟି ତବ ମାୟା-ଛାଞ୍ଚେ ଢ଼ଳା ।
ବଜାନା ବଜାନା ବେଣୁ ଆଉ ବେଣୁପାଣି,
ଯମୁନା ସେ ଧ୍ୱନି ଶୁଣି ବହୁଛି ଉଜାଣି ।
କି ଉଚ୍ଚାଟ ଉନ୍ମାଦନା ଅଛ ତହିଁ ଭରି,
ଶୁଣି ତାହା କୁଞ୍ଜରାଣୀ ଫୁଲ ଉଠେ ଥରି ।
ହସିଉଠେ ସମୀରଣ ହୋଇ କରକର,
ଶାଖାଚ୍ୟୁତ ହୋଇ ପଡେ ଗଛରୁ ପତର ।
ଜୀର୍ଣ୍ଣରୁକ୍ଷ ଅରଣ୍ୟାନୀ ପାଲଟେ ନନ୍ଦନେ,
କଟୁ-କଣ୍ଠ କାକ ପିକେ, ବାଉଁଶ ଚନ୍ଦନେ ।
ଅସମୟେ ଫୁଟେ ଫୁଲ, ଫଳ ଫଳେ ଗଛେ,
ମଇଁଷି ପହ୍ନାରୁ ଦୁଧ ପିଅନ୍ତି ଗୋବତ୍ସେ ।
ଜ୍ୟୋତ୍ସ୍ନାମୟୀ ହୋଇଯାଏ ଅନ୍ଧାର ଯାମିନୀ,
କୃଷ୍ଣପ୍ରାଣା ରାଧା ହୁଏ ପ୍ରେମେ ପାଗଳିନୀ ।
ବଜାନା ବଜାନା କାହ୍ନୁ ଆଉ ସେ ମୂରଲୀ,
ଗୋପୀଏ ଛାଡ଼ନ୍ତି ଡକା ବୋଲି ମଲି ମଲି ।
ବଜାଇବ ଯେବେ ତୁମ୍ଭେ ଲଗାଇଣ ହଟ,
ମାନିବେ ନାହିଁ ସେ ଗୁରୁଜନଙ୍କ ଆକଟ ।
ଲାଗିବ ହେ ରାଧାପ୍ରାଣ, ରାଧାପ୍ରାଣେ ବାଧା,
ଚନ୍ଦ୍ରାବଳୀ ଚନ୍ଦ୍ରମୁଖ ପଡିଯିବ ସାଦା ।
ବିରହ-ବେଦନା ତାର ଉଠିବ ଚହଲି,
ବଜାନା ବଜାନା କାହ୍ନୁ ଆଉ ସେ ମୂରଲୀ ।
ଘରେ ଘରେ ଚୋରି କରେ କିଏ ଏ ଚୋର,
ଦୁଧଦହିରଙ୍କ ସରଲବଣୀଚୋର । ୦ ।
ଦିନରାତି ଚୋରି କରେ,
ଥରନ୍ତି ଗୋପୀ ତା ଡ଼ରେ,
ଧର ଧର ବୋଲି ରଡି ଛାଡନ୍ତି ଘୋର । ୧ ।
ସେ ଦୁର୍ବଳ-ବଜ୍ରସେହ୍ନା,
ଚୋରି କରେ ଭକ୍ତି-ଛେନା,
ବେହେଡି ଭାଙ୍ଗି ଛିଣ୍ଡାଏ ଶିକାର ଡ଼ୋର । ୨ ।
କା ଘରେ ଭାଙ୍ଗି ପଞ୍ଜର,
ଚୋରି କରେ ପ୍ରେମ-ସର,
ଦୁଃଖୀ ରଙ୍କି ନ ବାରେ ସେ ଅତି କଠୋର । ୩ ।
କାହାର ପ୍ରୀତି-ଅଧାମ,
ଚୋରାଏ ସେ ଘନଶ୍ୟାମ,
ପ୍ରଣୟ-ଅମଳେ ସଦା ଥାଏ ବିଭୋର । ୪ ।
ନିତି ନିତି ବ୍ରଜଧାମେ,
ହାଟ ବସେ ତାହା ନାମେ,
ଅଶେଷ କୀର୍ତ୍ତିଚନ୍ଦ୍ର ସେ ନବକିଶୋର । ୫ ।
ସେ ଅଦ୍ଭୁତ ଚୋର ଥରେ,
ପଶି ମୋ ହୃଦୟ-ଘରେ,
କବି କହେ ଚୋରି କରୁ ଦୁଷ୍କୃତି ମୋର । ୬ ।
ସ୍ୱାଗତ ହେ ଚୋରଚନ୍ଦ୍ର,
ଚୋରି ବିଦ୍ୟାରେ ଧୁରନ୍ଧ୍ର,
ତୁମ୍ଭ ପାଇଁ ତୃଷିତ ମୋ ନେତ୍ର-ଚକୋର । ୭ ।
ନାହାନ୍ତି କି ଗୋପେ ସଖି ଗୋପସୁନ୍ଦର,
ନିଲକ୍ଷଣ ଦିଶେ କିପାଁ ଦିଗ ଅମ୍ବର । ୦ ।
ଫିକା ଦିଶେ କୁଞ୍ଜବନ,
ଶୁଖିଲା ଗୋବତ୍ସଗଣ,
କାନ୍ଦନ୍ତି ମୟୂର କୁଞ୍ଜ-ନଟ-ନାଗର । ୧ ।
ଆବିଳ ଯମୁନାଜଳ,
ପିତା ଲାଗେ ମିଠାଫଳ,
କେଳି-କଦମ୍ବ ହୋଇଛି ଶୂନ୍ୟ ପତର । ୨ ।
ଶୁଭୁ ନାହିଁ ବଂଶୀସ୍ୱନ,
ଗୋପ ଗୋପୀ ଅଚେତନ,
ବିକଳେ ହମ୍ବାଳୁଛନ୍ତି ଧେନୁନିକର । ୩ ।
ଗୋବର୍ଦ୍ଧନ ଗିରିବର,
ହୋଇଛି ଧୂଳି ଧୂସର,
ଶିରୀ ତୁଟିଯାଇଅଛି ବ୍ରଜପୁରର । ୪ ।
ଖେଳ ଛାଡିଣ ବାଳୁତେ,
କାହ୍ନୁସଖା ଗୋପସୁତେ,
କି ମହାନୀରବ ଶୋକେ ଆଜି କାତର । ୫ ।
ଦିବସେ ଘୋଟେ ଅନ୍ଧାର,
ଏ କି ଦୁର୍ଯୋଗ ଦୁର୍ଭାର,
ମଲା କି ଜୀଇଛି ରାଧା ବୁଝ ସତ୍ୱର । ୬ ।
କି ଅଦ୍ଭୁତ ଏ ସମସ୍ୟା,
ନୁହେଁ ଆଜି ଅମାବାସ୍ୟା,
ଶୁଭୁ ନାହିଁ କିପାଁ ଦଧି ମନ୍ଥନ ସ୍ୱର । ୭ ।
ଏ କିସ ଗୋ ଅଘଟନ,
ଫୁଲେ ନାହିଁ ଗନ୍ଧଧନ,
ହାହାକାର ସ୍ୱର ବହେ ବାୟୁ ପ୍ରଖର । ୧୦ ।
ଶ୍ରୀହରି, ମୋର ଏ ଦେହ-ଜମିଦାରୀ
ନିଅ ହେ ଭଲା ଇଜିରା,
ମେଡ଼ୂଆ ଅଜରା ପରଜାଏ ମୋତେ
କଲେ ବଡ଼ ହିଚିକିରା ।
ଭାରି ଅମାନିଆ ଅଛନ୍ତି ଦୁଇଟା-
ମନଶର୍ମା, ପେଟଶର୍ମା,
ଷଣ୍ଢାମାର୍କା ପରି ଉଭୟେ ବଳୁଆ
ଉଭୟେ ଅଦ୍ଭୁତକର୍ମା ।
ଖଜଣା ଗଣ୍ଡାକ ନ ଦିଅନ୍ତେ ପଛେ
ନୁହନ୍ତେ କି ହୁମୂହୁମୂ
ହୁଡ଼ୁ ମୁଷୂଳିଆ ବୋଲି ଜାଣି ତାଙ୍କୁ
ଜୁହାର ହୁଏଁ ଦୂରୁ ମୁଁ ।
ତୁମ୍ଭ ହାତେ ନିଶ୍ଚେ ସାଉଡ଼ ହେବେ ସେ
ମୋତେ ତ ପଢ଼ାନ୍ତି ପାଠ,
ଦୁର୍ବଳକୁ ଦୁଷ୍ଟେ ଦେଖାନ୍ତି ବାଲିଙ୍ଗି
ପ୍ରବଳ ନିକଟେ କାଠ ।
ଭଲ ପ୍ରଜା ସୁଦ୍ଧା ଅଛନ୍ତି ଥୋକାଏ
ମୋ ରାଜ୍ୟରେ କରି ଘର,
ଶ୍ରଦ୍ଧା-ପ୍ରେମ-ଭକ୍ତି- ରାଜକର ଦେଇ
ପୂଜିବେ ତୁମ୍ଭ ପୟର ।
ନିଅ ତୁମ୍ଭେ ପ୍ରଭୁ କରଯାକ ସବୁ
ତଣ୍ଡ ଜୋରିମାନା ସହ,
କିନ୍ତୁ ମୋ ନିମନ୍ତେ ପ୍ରସାଦେ-କଣିକେ
ପଠାଉଥିବ ପତ୍ୟହ ।
ଏହି ସର୍ତ୍ତ ରଖି ଇଜିରାନାମା ମୁଁ
ଲେଖିଦେଲି ଆଜୀବନ,
ଚନ୍ଦ୍ରେ ସୂର୍ଯ୍ୟେ ଧର୍ମେ ଦଶଦିଗପାଳେ
ସାକ୍ଷୀ ରଖି ଜନାର୍ଦ୍ଦନ ।
ଏହା ବିନା ଆଉ ଧୂଳିରୁ ଏ ଦାବୀ
ନ କରିବି ତୁମ୍ଭଠାରେ,
କଲେ ତାହା ହେବ ଅଗ୍ରାହ୍ୟ ସର୍ବଥା
ତୁମ୍ଭ ଧର୍ମ-ଦରବାରେ ।
ଏତଦର୍ଥେ ଏହି ଇଜିରାନାମା ମୁଁ
ଲେଖି ଦେଉଅଛି ହରି,
ଦରକାରବେଳେ କର୍ମରେ ଆସିବ
ରଖିଥିଲେ ଯତ୍ନ କରି ।
ନିଃଶ୍ୱାସେ ପ୍ରଶ୍ୱାସେ ଗୁନ୍ଥା ସିନା ମୋର
ତୁମ୍ଭ କୃପା ପ୍ରାଣାରାମ,
କର ମୋତେ ପ୍ରଭୁ ବିଶ୍ୱାସ, ମୁଁ କେଭେଁ
ନୁହେଁ ନିମକହାରାମ ।
ଆଦାୟ ଅସୁଲ ମୋର ସରିଲାଣି ପ୍ରଭୁ,
ଛାମୁରେ ହିସାବ ତାର ଦେବି ଏବେ ସବୁ ।
କଟିଗଲା ବାଲ୍ୟକାଳ କେଡ଼େ ସୁଖେ ହାୟ,
ପିତାମାତାଠାରୁ ସ୍ନେହ କରିଣ ଆଦାୟ ।
ଶ୍ରଦ୍ଧାପ୍ରେମ ଆଦାୟରେ କଟିଲା ଯୌବନ,
ଆଦର ସମ୍ମାନ କେତେ ଦେଲେ ବନ୍ଧୁଜନ ।
ବୃଦ୍ଧକାଳେ ପୁତ୍ରକନ୍ୟାଠାରୁ ସେବା ଯତ୍ନ, -
ଆଦାୟ ଯା’ କଲି ତାହା ସାର ଶୁଦ୍ଧରତ୍ନ ।
ଆଜୀବନ ତୁମ୍ଭଠାରୁ କରିଛି ଅସୁଲ,
ଅନନ୍ତ କରୁଣା-ଧନ ଭବେ ଅପ୍ରତୁଲ ।
ସମସ୍ତଙ୍କଠାରୁ ଖାଲି କରିଛି ଆଦାୟ,
ଜୀବନେ ଆଦାୟ ଏକା ମୋର ବ୍ୟବସାୟ ।
ଦେଇ ନାହିଁ କାହାରିକି କଡ଼େ ପ୍ରତିଦାନ,
ମୋହଠାରୁ ବଳି ଆଉ କେ ଅଛି ଅଜ୍ଞାନ ।
ସମସ୍ତଙ୍କ ଧନ ମୁହିଁ କରି ଉଦରସ୍ଥ,
ବସିଅଛି ମୁହିଁ ପୋଛି ହୋଇ ଶୂନ୍ୟହସ୍ତ ।
ଦିଶୁ ନାହିଁ ବୁଦ୍ଧି କିଛି କର୍ମ ମୋର ବାମ,
ଦୁଆଳିଆ ତାଲିକାରେ ଲେଖାଇବି ନାମ ।
ଏହା ବିନା କି ଉପାୟ ଅଛି ଅବା ଆନ,
ଏ ଋଣଦାୟରୁ ପ୍ରଭୁ କର ମୁକ୍ତି ଦାନ ।
କଦମ୍ବ ମୂଳରେ ଠିଆ କିଏ ସଜନି,
କେତେ ଭଙ୍ଗୀରେ କରୁଛି ମୂରଲୀଧ୍ୱନି । ୦।
ବଜାଏ ସେ ରାଧା ରାଧା,
ଗଣେ ନାହିଁ ଲଜ୍ଜା ବାଧା,
କେଡ଼େ ଭରସା ଗୋ ତାର କେଡ଼େ କରଣି । ୧।
ରାଧା କୁଳଭୁଆସୁଣୀ,
କି ଭାବିବେ ଜନେ ଶୁଣି,
କଳଙ୍କିନୀ ହେବ ରାଇ ବିଧୁବଦନୀ । ୨।
ରଜାପୁଅ ବୋଲି କି ମା,
ଦେଖାଏ ଏତେ ଗରିମା,
କି ବୋଲିବେ ଶୁଣି ତାର ପିତା ଜନନୀ । ୩।
ଶିରେ ଶୋହେ ଶିଖିଚୂଳ,
ଆଭରଣ ବନଫୁଲ,
ଝରୁଛି ମଧୁର ହାସୁ ମୁକୁତା ମଣି । ୪।
ଅତସୀ କୁସୁମ ଶ୍ୟାମ,-
ତନୁ କେଡ଼େ ଅଭିରାମ,
ଶ୍ରୀଅଙ୍ଗ ଜ୍ୟୋତିରେ ଦୀପ୍ତ ବନ ଅବନୀ । ୫।
କି ସୁନ୍ଦର ନନ୍ଦସୁତ,
ବଚନ ଛଣା-ଅମୃତ,
କୋଟି ଲାବଣ୍ୟଖଣି ସେ ନାଗରମଣି । ୬।
ମଦନମୋହନ ମୂର୍ତ୍ତି,
ହରିନିଏ ହୃଦୂ ଧୃତି,
ଓଟାରେ ସେ ମନପ୍ରାଣ ଦିବାରଜନୀ ।୭।
ମହତ ପଛକେ ଯାଉ,
ନ ନିନ୍ଦିବି ତାକୁ ଆଉ,
ଖଟିବି ପୟରେ ତାର ସେବା ଖଟଣି ।୮।
ଭକ୍ତବନ୍ଧୁ ଜଗନ୍ନାଥ ଭକ୍ତି -ଭିକାରୀ,
ପ୍ରେମମୂଲ୍ୟେ କିଣା ତୁମ୍ଭେ ମୁକ୍ତି -ବେପାରୀ ।୦।
ଭକ୍ତ ତୁମ୍ଭ ପ୍ରାଣ-ପ୍ରାଣ,
ରକ୍ଷା କର ଭକ୍ତ ମାନ,
ଭକ୍ତ ତୁମ୍ଭ ପରିବାର ପୁତ୍ର କୁମାରୀ ।୧।
ଭକ୍ତ ହିତ ପାଇଁ ହରି,
ପାର ତୁମ୍ଭେ ସବୁ କରି,
ପାର ମହାଗିରି ଧରି ଗିରି-ବିହାରୀ ।୨।
ଭକ୍ତ ହେତୁ ଦେହ ଗଢ଼ି,
କଳାଧଳା ଘୋଡ଼ା ଚଢ଼ି,
କାଞ୍ଚି ରାଜ୍ୟେ କଲ ଯାଇ ଯୁଦ୍ଧ ମୁରାରି ।୩।
କାଞ୍ଚି ବଳ ଖଡ୍ଗେ ହାଣି,
ବିଜୟ-ଲକ୍ଷ୍ମୀଙ୍କି ଆଣି,
ବସାଇଲ ଭକ୍ତକାନ୍ଧେ ମାନ ଉଦ୍ଧାରି ।୪।
ଧନ୍ୟ ସେ ପୁରୁଷୋତ୍ତମ,
ସୁସାଧକ ଅନୂପମ,
ଭକ୍ତିରେ ତୁମ୍ଭଙ୍କୁ ବଶ କଲା କଂସାରି ।୫।
ସୌଭାଗ୍ୟବତୀ ମାଣିକା,
ଗୋପାଳୁଣୀ-ଭାଲ-ଟିକା,
ଭୁଞ୍ଜାଇଲା ପଥେ ସର ସେ ଗୋପନାରୀ ।୬।
ଦେଲ ତାକୁ ରତ୍ନ ମୁଦି,
ହେ ପ୍ରଭୁ କୃପା-ଅମ୍ବୁଧି,
ନିସ୍ତରିଲା ତୁମ୍ଭ ରୂପ ନେତ୍ରେ ନିହାରି ।୭।
ଦୂରେ ଥିଲେ ପାଶେ ଅଛ,
ସର୍ବବ୍ୟାପୀ ହେ ଶ୍ରୀବତ୍ସ,
ଶୁଣୁଅଛ ସକଳର ସର୍ବ ଗୁହାରି ।୮।
ନୀଳାଚଳ ଯାହା ନାମ,
ଉତ୍କଳେ ଦ୍ୱାରକା ଧାମ,
ଅଛ ତହିଁ କଳି ଯୁଗେ ଲୀଳା ବିସ୍ତାରି ।୯।
ଆର୍ତ୍ତେ କହେ ଦୀନକବି,
ଭବଜାଳା ଅନୁଭବି,
ବାସନା - ନର୍କରୁ ହରି ନିଅ ଉଦ୍ଧାରି ।୧୦।
ସଜ୍ଜନ ସଂସାରେ କଳଙ୍କିତ ହୁଏ
ଯେହ୍ନେ ଧୋବାତୁଠ ଗଣ୍ଡି,
ଲୁଗାରୁ ମଳିଆ ଛଡ଼ାଇ ହୁଏ ସେ
ସେହି କଳଙ୍କରେ ମଣ୍ଡି ।
ଗଢ଼ିଛ ହେ ହରି ଏ ପୋଡ଼ା ସଂସାରେ
କି ଭୀଷଣ ଉପାଦାନେ
ବାଳିକାର ପରି ସୃଜେ ଭେଲିକି ସେ
କେଡ଼େ କୁଟ ମନ୍ତ୍ର ଜାଣେ ।
ଗୋଡ଼ ଧରି ଜାଣେ ଚୁଟି ଧରି ଟାଣେ
ବେଳ କାଳ ଦେଖି ଚାହି,
କେଉଁ କଥାରେ ସେ ଅପାରଗ ନୁହେଁ
ନାହିଁ ତା ଜାତକେ ନାହିଁ ।
କେତେ ପ୍ରକାରରେ ଠକାଉଛି ମୋତେ
ସେ ଯେ ଠକ-ଶିରୋମଣି,
କେତେ ପୁଣି ଜାଣେ ଚଟକ ଛଟକ
ଅଦ୍ଭୁତ ତାହା କରଣି ।
ଇଚ୍ଛା କଲା କ୍ଷଣି ଫୁଟାଇପାରେ ସେ
ଆକାଶରେ ପଦ୍ମଫୁଲ,
କରିପାରେ ପୁଣି କାଚଠାରୁ ଊଣା
ବାରବାନୀ ସୁନା ମୂଲ ।
ସଂସାରର ଏହି ଦୁଷ୍ଟପଣ ଦେଖି
ଦିଶୁ ନାହିଁ ପ୍ରଭୁ ବୁଦ୍ଧି,
ଏ ସଙ୍କଟ କାଳେ ତୁମ୍ଭେ ଏକା ସିନା
ସହାୟ କୃପା- ଅମ୍ୱୁଧି ।
ସବୁ ଅତ୍ୟାଚାର ଶାସ୍ତି ତାର ଯେହ୍ନେ
ସହିବି ମୁଁ ମଥା ପାତି,
ଶୁଳ ପ୍ରହାରକୁ ନ ଡ଼ରି ଆଗ୍ରହେ
ଦେଖାଇଦେବି ମୁଁ ଛାତି ।
ବଜ୍ରାଘାତ କଲେ ମଣିବି ତାହାକୁ
ଶୀତଳ ପ୍ରଲେପ ପରି,
ଧୈର୍ଯ୍ୟ ସହିଷ୍ଣୁତା ନିରଭିମାନରେ
ଯାଉ ଏ ହୃଦୟ ଭରି ।
ଜନ-ଅପବାଦ ଥଟା ଟାହୁଲିକୁ
ନ କରିବି ଲଜ୍ଜାଭୟ,
ହସି ହସି ସବୁ ସହିବି ଏ ଶକ୍ତି
ପ୍ରଦାନ ହେ ଦୟାମୟ ।
ନୀରବତା ଆଣି ଦିଅ ମୋ ପ୍ରାଣରେ
ନୀରବେ ତୁମ୍ଭଙ୍କୁ ଧ୍ୟାୟି,
ଆଉ ସବୁ କଥା ଅସାର ଜ୍ଞାନରେ
ପଛକୁ ଦେବି ପକାଇ ।
ସବୁ ଝଞ୍ଜାବାତ ପରାଜୟ ମାନେ
ନୀରବତା ଶକ୍ତିଠାରେ,
ନୀରବତା ଏକା ଅଶକ୍ତ ଜନର
ଲାଗେ ମହା ଉପକାରେ ।
ବସିଥାଏ ଯେହୁ ନୀରବେ ଏକାନ୍ତେ
ତୁମ୍ଭ ପୁଣ୍ୟ ପାଦ ଧ୍ୟାୟି,
ଶିଳା ପଥରର ଆଘାତ ତାହାର
କିଛି କରିପାରେ ନାହିଁ ।
ମନ, ତୁହି ଜାଣୁ କେତେ କାଉଁରୀ କୁହୁକ,
ମୁହୂର୍ତ୍ତକେ ବୁଲି ଆସୁ ସହସ୍ରେ ମୁଲୁକ ।
ଅଥବା ତୁ ଯୋଗିବର, ତୀବ୍ର ଯୋଗବଳେ,
ବର୍ଷକର ବାଟ ଯାଉ ହେଳେ ଅର୍ଦ୍ଧପଳେ ।
କିମ୍ବା ଉଡ଼ା-ଜାହାଜ ତୁ ଯୁଗ-ଅବତାର,
ସେ ଆକାରବନ୍ତ, ମାତ୍ର ତୁହି ନିରାକାର ।
ସବୁବେଳେ କରି ବୁଲୁ ଚଉକିଆଗିରି,
ନାହିଁ ଭାତ ବରତନ ଅଥବା ଜାଗିରି ।
ଜଗତର ଶିକ୍ଷାଭାର ନ୍ୟସ୍ତ ତୋର ହସ୍ତେ,
ତୋହୋ ଶିକ୍ଷା ଅନୁଯାୟୀ ଚଳନ୍ତି ସମସ୍ତେ ।
ବୃକଲାସ ପରି ତୁହି ଧରୁ ନାନାରୂପ,
ମୁହୂର୍ତ୍ତେ ଭିକାରୀ ପୁଣି ମୁହୂର୍ତ୍ତକେ ଭୂପ ।
ଛଳନା-ରସିକ ତୁହି ଶଠ-ଚୂଡ଼ାମଣି,
ଅଦ୍ଭୁତ କୌତୁକ ତୋର ଅସୀମ କରଣୀ ।
ଦୃଢ଼ ସ୍ୱରେ ଯାହାକୁ ତୁ କହିଥାଉ ଖାଣ୍ଟି,
ଭେଡ଼େ ବୁଲି ଆସି ପୁଣି କହୁ ତାକୁ ମାଟି ।
ଏ ମୁହଁରେ କହୁ ମନ୍ଦ ସେ ମୁହଁରେ ଭଲ,
ଏ ତୋହର ଭଲା ମନ, କିଭଳି ଅକଲ ।
ମିଶିଛି ତୋ ସଙ୍ଗେ ଆଶା, ଯୋଗ୍ୟ ସହଚରୀ,
ଭଣ୍ଡାଇ ଭଣ୍ଡାଇ ବଳେ ମାରେ ସେ ପାମରୀ ।
ସେ ପାପିଷ୍ଠା ଚଣ୍ଡାଳୁଣୀ ମାଂସ ଖଣ୍ଡେ ଧରି,
ଡ଼ାକିଦିଏ ଜୀବ-ଶ୍ୱାନେ ଲୋଭେ ବଶ କରି ।
ବହୁ ଦୂର ଯାଇ ଶ୍ୱାନ ବାରେ ଆଘ୍ରାଣରେ,
ମାଂସ ନୁହେଁ, ମାଟି ମେଞ୍ଚେ ଧରିଛି ସେ କରେ ।
ଫେରିଆସେ ସେହିଠାରୁ ହୋଇ ସେ ନିରାଶ,
ଧାଇଁ ଧାଇଁ ହୁଏ ଖାଲି କଣ୍ଠଗତ ଶ୍ୱାସ ।
ତା କାଉଁରି ହାଡ଼ ଖଣ୍ଡ ଛୁଇଁଦେଲା ମାତ୍ରେ,
ଯୁବକର ଶକ୍ତି ଆସି ଖେଳେ ବୃଦ୍ଧଗାତ୍ରେ ।
ଉଡ଼ନ୍ତା ଘୋଟକୀ ଆଶା, ମନ ତୁ ଘୋଟକ,
ଦୁହିଙ୍କ ମିଳନ ଆହା କି ରାଜଯୋଟକ !
ଆଶା ଲୋ, ତୁ ଡ଼ାକି ହାକି ଅତିଥି ସଂଗ୍ରହୁ,
ପତ୍ରରେ ପରଶୁ କିନ୍ତୁ କାଦୁଅ ଚିତଉ ।
ମନରେ ତୁ ଅସନ୍ତୋଷୀ, ଅତିଠାରୁ ଅତି,
କୋଟିଏ କୁବେର ଧନେ ନ ଲଭୁ ତୃପତି ।
ଦୁଷ୍ଟାମିରେ ତୁମ୍ଭେ ବେନି ବଳ ଏକୁଁ ଏକ,
ରଖନ୍ତି କି ସୃଷ୍ଟି ତୁମ୍ଭେ ନ ଥିଲେ ବିବେକ ।
ସ୍ୱଭାବରେ ତୁମ୍ଭେ ବେନି ବଡ଼ ଅଥାଉଡ,
ବିବେକ-ଚାବୁକ କରେ ତୁମ୍ଭଙ୍କୁ ସାଉଡ ।
ତୁମ୍ଭ ଚିନ୍ତାବୃକ୍ଷେ ହୁଏ ଲକ୍ଷ ଲକ୍ଷ କସି,
ଗୋଟେ କି ଦୁଇଟା ରହେ ସବୁ ପଡ଼େ ଖସି ।
ବ୍ୟର୍ଥତା ତୁମ୍ଭର ପ୍ରାଣ ବ୍ୟର୍ଥତା ହିଁ ସୁଖ,
କେବେ ଅକସ୍ମାତେ ଦେଖ ସାଫଲ୍ୟର ମୁଖ ।
କେତେ ଦୂରେ ଶେଷଦିନ ଅଛି ମୋର ହରି,
ଲାଗୁଛି ତ ବହୁଦୂର ଘୁଞ୍ଚିଗଲା ପରି ।
ଦିନେ ସୁଦ୍ଧା ମହଲତ ମୁଁ ତ ମାଗି ନାହିଁ,
ବୃଥା କିପାଁ ଧାର୍ଯ୍ୟ ଦିନ ଦେଉଛ ଘୁଞ୍ଚାଇ ।
ଜବାନବନ୍ଦି ମୁଁ କରି ନ ପାରିବି କିଛି,
ଓକୀଲ ଦେବାକୁ ଅବା ସାମର୍ଥ୍ୟ କାହିଁଛି ।
ତୁମ୍ଭଙ୍କୁ ମୁଁ ଓକିଲାତି ଦେଲି ହେ ଅସୀମ,
ତୁମ୍ଭେ ହିଁ ଓକୀଲ ମୋର ତୁମ୍ଭେ ହିଁ ହାକିମ ।
ସାକ୍ଷୀ କେହି ନାହିଁ ପୁଣି, ହେବ ତୁମ୍ଭେ ସାକ୍ଷୀ,
ଘରୁ ଖାଇ ସାକ୍ଷ୍ୟ ଦେବ ପ୍ରଭୁ ଚକାଆଖି ।
ଖାଲି ତୁମ୍ଭ ଏଜଲାସେ ହେବି ମୁଁ ହାଜର,
ଆଉ ସବୁ ତୁଲାଇବ ତୁମ୍ଭେ ବିଶ୍ୱେଶ୍ୱର !
କିନ୍ତୁ ପ୍ରଭୁ ରାୟ ଦେବ ହୋଇ ସାବଧାନ
ଲାଭ ବିନା ହେବ ନାହିଁ ଯେହ୍ନେ ଲୋକସାନ ।
ଯାହା ଇଚ୍ଛା ମୋ ଭାଗ୍ୟରେ କର ପଛେ ଧାର୍ଯ୍ୟ,
ମାତ୍ର ନିଅ ନାହିଁ ଦେବ ଆଇନ ସାହାଯ୍ୟ ।
ଆଇନରେ କେତେ ଅଛି ପେଞ୍ଚ ପୁଣି ଫାଙ୍କ,
ବଙ୍କାକୁ ସେ ସିଧା କରେ ସଳଖକୁ ବାଙ୍କ ।
ସେ ଗୋଲକଧନ୍ଦା ଗର୍ଭ ଜଟିଳ ବିରାଟ,
ଜନ୍ମେ ଜନ୍ମେ ଘୁରୁଥିଲେ ମିଳେ ନାହିଁ ବାଟ ।
କି ଲୋଡ଼ା ଆଇନ୍ମୋର, ଲୋଡେ ମୁଁ କରୁଣା,
ସହସ୍ର ଆଇନ୍ତୁମ୍ଭ କରୁଣାକୁ ଉଣା ।
ବାକୀ ଗଡ଼ାଇବ ନାହିଁ ହେ ଦୟାସାଗର,
ପୋଛି ସାଫ୍କରିଦିଅ ମୂଳ କଳନ୍ତର ।
ଆଣ ମୋ ତାରିଖ ଦିନ ପାଖକୁ ଘୁଞ୍ଚାଇ,
ମାଗୁଛି ମୁଁ ଏହି ଭିକ୍ଷା ଅଷ୍ଟାଙ୍ଗ ଲୋଟାଇ ।
ହେ ପ୍ରଭୁ ହେ ବିଚାରକ, ଚାଣ୍ଡେ ଫଏସଲା-
କରିଦିଅ ମୋର ତୁଚ୍ଛ ଜୀବନ-ମାମଲା ।
ଛାମୁରେ ଜଣାଇ ଦୁଃଖ, ଦେଲି ଏ ଅରଜି,
ଯାହା ବୁଝାମଣା କର ତୁମ୍ଭର ମରଜି ।
କି ଜ୍ୟୋତି ଏ ? କାହୁଁ ଆସେ ? କା’କୁ ପଚାରିବି ?
ନିମିଷେ ଦେଖାଇ ଆଲୋ ଯାଏ ଖରେ ନିଭି ।
ଦପ୍କରି ଜଳି ଉଠି ନିଭିଯାଏ ତଥା,
ଯେବେ ଆସେ ସବୁ ଥର ତା’ର ଏହି ପ୍ରଥା ।
କ୍ଷଣସ୍ଥାୟୀ ସେ ଆଲୋକେ କି ହୁଏ କାହାର,
ଅଥବା ତାହାର ହୁଏ କେଉଁ ଉପକାର ।
ଅଳ୍ପାୟୁ ସେ, ଦୁଇଖଣ୍ଡ କାଷ୍ଠ ସଂଘର୍ଷଣେ-
ଆଶୁଜାତ ସୂକ୍ଷ୍ମତମ ସ୍ଫୂଲିଙ୍ଗ ଯେସନେ ।
ତେବେ କି ବିଅର୍ଥେ ଆସି ବିଅର୍ଥରେ ଯାଏ,
ବ୍ୟର୍ଥତାର ଅନ୍ତରାଳେ ସଦା ଲୁଚିଥାଏ ।
ଖେଳେ ସେହୁ କାହା ସଙ୍ଗେ ଲୁଚକାଳି ଖେଳ,
କିସ ପାଏ ଖେଳରୁ ସେ ଏଡ଼େ କି ଅଲେଳ ।
ବିଶ୍ୱ ଯାର ଖେଳଘର ତାକୁ ଏକା ଜଣା,-
ଏ ରହସ୍ୟ, କିନ୍ତୁ ନର ହୋଇଥାଏ ବଣା ।
ସୁଦର୍ଶନ ଚକ୍ର ହରି ନାହିଁ କି କରେ
ଷଡ଼ ମହାସୂର ରତ ସୃଷ୍ଟି ନାଶରେ ।୦।
କାମ କ୍ରୋଧ ଲୋଭ ମୋହ,
ମଦ ମାତ୍ସର୍ଯ୍ୟ ବିଦ୍ରୋହ-
ଆଚରନ୍ତି, ନିର୍ଭୟରେ ତୁମ୍ଭ ରାଜ୍ୟରେ ।୧।
ଅସୂରେ ହେଲେ ଦୁର୍ଭାର,
ଧରି ତୁମ୍ଭେ ଅବତାର,
ଯମପୁରେ ପରା ତାଙ୍କୁ ପେଷ ସତ୍ୱରେ ।୨।
କଂସ ରାବଣକୁ ବଳି,
ଏ ଅସୂରେ ମହାବଳୀ,
ନିଅନ୍ତି ସର୍ବସ୍ୱ ଜୁରି ଶୂନ୍ୟ ଶୂନ୍ୟରେ ।୩।
ନାହିଁ ତାଙ୍କ ବର୍ଣ୍ଣରୂପ,
ବୋଲାନ୍ତି ବ୍ରହ୍ମାଣ୍ଡେ ଭୂପ,
ନ ଗଣନ୍ତି କାହାରିକି ସେ ଜଗତରେ ।୪।
ଏକା ସିନା ସୁଦର୍ଶନ,
ହରେ ତାହାଙ୍କ ଜୀବନ,
ତା ବିନା କେ ନୁହେଁ ସରି ତାଙ୍କୁ ସମିରେ ।୫।
ତାଙ୍କ ପ୍ରବଳ ପ୍ରତାପେ,
ବୁଡ଼ିଲାଣି ମହୀ ପାପେ,
ଉଦ୍ଧାର ତାକୁ ହେ ଦୁଷ୍ଟେ ନିପାତି ଖରେ ।୬।
ଦର୍ପେ ଧରି ବୀରବେଶ,
ଗର୍ଜି ଉଜାଡ଼ନ୍ତି ଦେଶ,
କବି କହେ ଶଙ୍କିତ ମୁଁ ତାଙ୍କ କ୍ରୋଧରେ ।୭।
ଆସିଥିଲି ଯେଉଁ ବାଟେ ଗଲିଣି ତା ଭୁଲି,
ଥକିଲିଣି ଖୋଜି ଖୋଜି କେତେ ଆଡ଼େ ବୁଲି ।
କାହାକୁ ବା ପଚାରିବି କେ ଦେବ ଦେଖାଇ,
ସମସ୍ତେ ତ ଭୂଆଁ ବୁଲା, କିଏ ଜାଣେ ନାହିଁ ।
ପୁଣି ସର୍ବେ ପଥହରା ପଡ଼ି ଅନ୍ଧକୂପେ,
ଆନେ ପଥ ଦେଖାଇବ କିଏ ବା କିରୂପେ ।
ନ ମିଳିଲା ନାହିଁ ବାଟ ଡ଼େଇଁ ଖାଲ ଉଞ୍ଚ,
ଅମଣ୍ଡାରେ ଚାଲୁଥିବି ମାଡ଼ି କଣ୍ଟା ଖୁଞ୍ଚ ।
ଖୋଜୁ ଖୋଜୁ ନିଶ୍ଚେ ଦିନେ ମିଳିଯିବ ପଥ
ପୂର୍ଣ୍ଣ ହେବ ସେହି ଦିନ ମୋର ମନୋରଥ ।
ଥିବ ଯେବେ ପ୍ରାଣେ ମୋର ଉତ୍କଣ୍ଠା ଉଚ୍ଚାଟ,
ରୂପ ଧରି ସେହୁ ମୋତେ ଦେଖାଇବ ବାଟ ।
ସର୍ବଜାଣ ମହାକାଳ ଧରି ମୋର ହାତ,
ଭେଟାଇବ ବାଟ-ତା’ର କର୍ତ୍ତବ୍ୟ ତାହା ତ ।
ଜୀବନର ଶେଷଦିନେ ଆସିବ ସେ ବଳେ,
ନ ଆସୁଣୁ ଖୋଜୁଥିବି ତାକୁ ନାନା ସ୍ଥଳେ ।
ଜଗତରେ ନାହିଁ କିଛି ତାହାର ଅଦେଖା,
ସମସ୍ତଙ୍କ ଶେଷଦିନ ତା’ ପାଞ୍ଜିରେ ଲେଖା ।
ସେହି କାଳ ପରଂବ୍ରହ୍ମ, ନିତ୍ୟ ଅଦ୍ୱିତୀୟ,
କାହା ବଳେ ତା ନିୟତି ନୁହେଁ ଲଙ୍ଘନୀୟ ।
ଲାଗି ରହିଅଛି ଅଭିନୟ ସଦା
ଦିନରାତି ରଙ୍ଗାଳୟେ,
ବହୁ ବେଶ ପିନ୍ଧି ବହୁ ଅଭିନେତା
ମାତିଛନ୍ତି ଅଭିନୟେ ।
ଦଳ ଦଳ ହୋଇ ଚାଲି ଯାଉଛନ୍ତି
ନାଚି କୁଦି ଗୀତ ଗାଇ,
କିଛି କ୍ଷଣ ପରେ ଫେରି ଆସୁଛନ୍ତି
ପୂର୍ବ ବେଶ ବଦଳାଇ ।
କିଏ ସେ ତାହାଙ୍କୁ ପଠାଇ ଦେଉଛି
ସାଜି ନବ ନବ ବେଶେ,
ଲୁଚି ରହିଛି ସେ ବେଶକାରବର
ଯବନିକା ପୃଷ୍ଠଦେଶେ ।
ଧନ୍ୟ ତା କଳ୍ପନା ଧନ୍ୟ ନିପୁଣତା
ଧନ୍ୟ ତା’ ବୈଚିତ୍ର୍ୟ ସୃଷ୍ଟି,
ପୁରି ରହିଅଛି ଅନନ୍ତ ବିଶ୍ୱରେ
ଯେଉଁ ଆଡ଼େ ଯାଏ ଦୃଷ୍ଟି ।
ଜଣେ ଅଭିନେତା କୋଟି ବାର ଆସି
କରେ କୋଟି ଅଭିନୟ,
କେହି ରହିଯାଏ ବହୁତ ସମୟ
କେହି ବା ଅଳ୍ପ ସମୟ ।
କେହି ହସି ହସି ଚାଲିଯାଏ କେହି
କାନ୍ଦି ବା କନ୍ଦାଇ ଯାଏ,
କେହି ଆସି ପୁଣି କାନ୍ଦିବା ଲୋକର
ବଦନେ ହାସ୍ୟ ଫୁଟାଏ ।
ହସ କାନ୍ଦ ଛଡ଼ା ସାରା ରଙ୍ଗମଞ୍ଚେ
ନାହିଁ ଆଉ କିଛି କଥା,
କାହା ଶିରେ ଉଡେ ଚକ୍ରବର୍ତ୍ତୀ ଛତା
ବୋଝ ବହେ କାହା ମଥା ।
ନିଜ ବିରଚିତ ଅଭିନୟ ଦେଖି
ହେଉଛି ମୁଗ୍ଧ ସେ ନିଜେ,
କେବଳ ଆମୋଦ ଆହ୍ଲାଦ ବିନା ସେ
ଖୋଜେ ନାହିଁ ଆନ ଚିତେ ।
ପ୍ରେମରଙ୍କ ସେହୁ ଭକ୍ତିର ଭିକାରୀ
ଖୋଜେ ତାହା ମନେ ମନେ,
କଣିକାଏ ମାତ୍ର ପାଇଲେ କେଉଁଠି
କୋଟିନିଧି ପରି ମଣେ ।
ଅଭିନେତା ବର୍ଗେ ଯାତ୍ରା ଅଧିକାରୀ
ସ୍ୱହସ୍ତରୁ ଦିଏ ଦର୍ମା,
ପୁଣ୍ୟ ନାମ ତାର ସୁଧା-ସୁମଧୁର
ଦେବ ବିଶ୍ୱପତି ଶର୍ମା ।
ହଟହଟିଆ-ନାଟକୁଟିଆ-ତ୍ରିଭଙ୍ଗୀଠିଆ କୃଷ୍ଣ ହେ,
ନୀପମୂଳିଆ-ବାଙ୍କଚୂଳିଆ-ନଈକୂଳିଆ କୃଷ୍ଣ ହେ,
ଘନକାଳିଆ-ବନମାଳିଆ-ଧେନୁପାଳିଆ କୃଷ୍ଣ ହେ,
କୁଞ୍ଜକେଳିଆ-ଗୁଞ୍ଜମାଳିଆ-କୁଞ୍ଚାବାଳିଆ କୃଷ୍ଣ ହେ,
ଅର୍ଜୁନଭଞ୍ଜା-ଦୁର୍ଜନଗଞ୍ଜା-ସୁଜନରଞ୍ଜା କୃଷ୍ଣ ହେ,
କଂସ ଭଜଣା-ବଇଁଶୀବଜା-ବରଜରଜା କୃଷ୍ଣ ହେ,
ମନ୍ଦରଧର-ରଙ୍ଗାଅଧର-ଶ୍ୟାମସୁନ୍ଦର କୃଷ୍ଣ ହେ,
ଦୀନସୋଦର ଦୀନବୃଦ୍ଧର ଦୁଃଖଉଦ୍ଧର କୃଷ୍ଣ ହେ,
ସତେ କି ଏ ଜଗତଟା ବାତୁଳ ସର୍ଜନା,
ନାହିଁ ଏଥି ସାର କିଛି,ପୂର୍ଣ୍ଣ ଆବର୍ଜନା ।
କିଏ କହେ ଏଥି ପୁଣି ଅଛି କୃତଜ୍ଞତା,
ଖାଲି ମିଛ କଥା ତାହା ତୁଚ୍ଛା ମିଛ କଥା ।
ବୃକ୍ଷ କରେ ବିଶ୍ୱହିତେ ଜୀବନ ଅର୍ପଣ,
ସେହି ବିଶ୍ୱଜନେ ତାକୁ କରନ୍ତି କର୍ତ୍ତନ !
ପୃଥ୍ୱୀ ଦିଏ ସମସ୍ତଙ୍କୁ ବାସ ଗ୍ରାସ ମାର୍ଗ,
କରନ୍ତି ତା ଶିରେ ସର୍ବେ ମଳମୂତ୍ର ତ୍ୟାଗ !
କୋକିଳକୁ ବାଳ କାଳେ ପୋଷଇ ବାୟୁସ,
କିନ୍ତୁ ସେ କୋକିଳ କରେ ତାହା ବଂଶ ଧ୍ୱଂସ !
ଚିରକାଳ ଦୁହିଁ ଦୁହିଁ ଦୁହାଁଳ ଗାଈକି,
ବୁଢ଼ୀ ହେଲେ ଦେଉଛନ୍ତି କଂସେଇକି ବିକି !
ପାଣିରେ ଛଡ଼ାନ୍ତି ଲୋକେ ସକଳ ଅଳିଆ,
ସେହି ପାଣିକୁ ବି ଲୋକେ କରନ୍ତି ଗୋଳିଆ ।
ସୁବାସ ଦେଇଣ ଫୁଲ ତୋଷେ ମନ ପ୍ରାଣ,
ଶୁଖିଗଲେଁ ଖତଗାଢ଼େ ଲଭେ ପୁଣି ସ୍ଥାନ !
ପ୍ରତିକ୍ଷଣେ କରୁଛନ୍ତି ରକ୍ଷା ବିଶ୍ୱସାଇଁ,
କିଏ ତାଙ୍କୁ କୃତଜ୍ଞତା ଜଣାଉଛି କାହିଁ !
ଏହିପରି ଯହିଁ ଖୋଜି କାହିଁ କୃତଜ୍ଞତା,
କେବଳ ଯେପରି ତାହା ବାଷ୍ପଗଢ଼ା କଥା !
ବୁଝୁ ବା ନ ବୁଝୁ କେହି କୃତଜ୍ଞତା ମର୍ମ,
ମାତ୍ର କୃତଜ୍ଞତା ଏକା ମାନବର ଧର୍ମ ।
ସବୁ ତ ଅସାର ଦିଶେ, ଯହିଁ ପଡ଼େ ଦୃଷ୍ଟି,
ତେବେ କି ଏ ସଂସାରଟା ବାତୁଳର ସୃଷ୍ଟି !
ଖାଇଲୁ କି ମନ ତୁ ରେ ଚ୍ୟବନପ୍ରାଶ,
ହେଉ ତ ନାହିଁ ତୋହର ଯୌବନ ହ୍ରାସ । ପଦ ।
ଏକା ଦିନେ ଦେହ ସଙ୍ଗେ,
ଜନ୍ମିଲୁ ଧରା ଉତ୍ସଙ୍ଗେ,
ଦେବୁ ବୁଢ଼ା ହେଲା ତ ଭୁଞ୍ଜ ବିଳାସ । ୧ ।
ଲଙ୍ଘିଯାଉ ପାରାବାରେ,
ତୋ ସଙ୍ଗେ ଦେହ ନ ପାରେ,
ଭଜିଲାଣି ବଳ ଶକ୍ତି ତାର ବିନାଶ । ୨ ।
କରୁ ତୁ ହୁକୁମ ଜାରି,
ଦେହ ତୋର କର୍ମଚାରୀ,
କାମ କରି କରି ମରେ ସେ ବାର ମାସ । ୩ ।
ଦେହ ତୋର ବଡଭାଇ,
ତା କାନ୍ଧେ ଭାର ବୁହାଇ,
ଲୁଚି ରହି ପ୍ରକାଶୁଛୁ ମୁରୁକି ହାସ । ୪ ।
ବୁଲୁ ତୁହି ଦେଇ ଫାଙ୍କି,
ମନ୍ଦ ନୁହେଁ ଏ ଚାଲାଖି,
ସାବାସ ସାବାସ ତୋତେ ଶତ ସାବାସ । ୫ ।
ବାବୁ ପରି ତୋ ମିଜାସ,
କରୁ ବାର ଫରମାସ,
କେତେବେଳେ ପାଗଳ ତୁ କେବେ ଉଦାସ । ୬ ।
ଘଡିକେ ତୁହି ଅମରି,
ଘଡିକେ ପୁଣି ଫକୀର,
ବହୁରୁପୀ, ବହୁରୂପ କରୁ ପ୍ରକାଶ । ୭ ।
ପ୍ରଭୁ, ମୋର ସବୁ ଇଚ୍ଛା କରିଛ ପୁରଣ,
ଗୋଟିଏ କଥାରେ କିପାଁ ହେଉଛ କୃପଣ ।
ଦେଇଥିଲ ଭୋଗ ତୁମ୍ଭେ, ଦିଅ ଏବେ ତ୍ୟାଗ,
ବୟୋଧର୍ମେ ତୁଟିଲାଣି ଭୋଗୁଁ ଅନୁରାଗ ।
ମାଗିବାକୁ କଳ୍ପନା ମୁଁ କରି ନାହିଁ ଯାହା,
ତାହା ସୁଦ୍ଧା ଦେଇଅଛ ଯାଚି ଜଗୁନାହା ।
ଭକ୍ତିରେ ବିଶ୍ୱାସ ଦିଅ, ବିଶ୍ୱାସେ ଦୃଢ଼ତା,
ତଡିଦିଅ ହୃଦୟରୁ ମୂଢ଼ତା, ରୁଢ଼ତା ।
ଭରିଦିଅ ମନେ ପ୍ରାଣେ ଆଧ୍ୟାତ୍ମକ ଶକ୍ତି,
ଏହା ଛଡ଼ା ନାହିଁ ମୋର ଅପର ଆସକ୍ତି ।
ଦେହର ଶକ୍ତିକୁ ଜରା ସାରିଲାଣି ଖାଇ,
ଦୈବୀଶକ୍ତି ବିନା ଆଉ କେ କରିବ ତ୍ରାହି ।
ସାଧନାରେ ଉପାର୍ଜନ କରିବାକୁ ତାହା,
ବୁଢ଼ାକାଳେ ଆଉ ହରି ଖଟୁ ନାହିଁ ଗାହା ।
ନ ମାଗୁଣୁ ନିଜେ ନିଜେ ଦେଇଛ ତ ସବୁ,
ମାଗୁଛି ଏତିକି ଏବେ ଦୟାକର ପ୍ରଭୁ ।
କଳୁଷିତ ଜୀବନକୁ କର ସୁନିର୍ମଳ,
ହେଉ ସେ ଜ୍ୟୋତିରେ ତବ ସୁନ୍ଦର ଉଚ୍ଛ୍ୱଳ ।
କେତେ ମାଗି ସାରିଲିଣି ମାଗୁଣି ଆପଣେ,
ଲୋଭୀ ବୋଲି ଘୃଣା ପ୍ରଭୁ କର ନାହିଁ ମନେ ।
ନୁହେଁ ଏହା, ଅବିଧି ତ ମାନ - ହାନିକାରୀ,
ବାପ ପାଖେ ଚିରଦିନ ପୁଅ ଯେ ଭିକାରୀ ।
ବାପକୁ ମାଗିଲେ ପୁଅ ଦୋଷ ଅବା କିସ,
ଭିକ୍ଷା ଦିଅ ଭିକ୍ଷା ଦିଅ ପିତା ଜଗଦୀଶ ।
ଭଜ ମନ କୃଷ୍ଣନାମକୁ,
ଚାଲିଯିବୁ ସୁଖେ ମୋକ୍ଷଧାମକୁ । ୦ ।
ପୂର୍ଣ୍ଣ ପରଂବ୍ରହ୍ମ
ପୁରୁଷ ଉତ୍ତମ
ଜପ ମନ ଛାଡି ଅନ୍ୟ କାମକୁ । ୧ ।
ମାଧବ ମୁରାରି
ନିକୁଞ୍ଜ - ବିହାରୀ
ପ୍ରାଣ - ଅଧିକାରୀ ପ୍ରାଣାରାମଙ୍କୁ । ୨ ।
ଦିବ୍ୟ ରୁପବନ୍ତ
ବସନ - ବସନ୍ତ
ସୁମର ସନ୍ତତ ଘନଶ୍ୟାମଙ୍କୁ । ୩ ।
ଆଦି ଅଣାକାର
ଅନାଦି ସାକାର
ପୂର୍ଣ୍ଣ କରିବେ ରେ ମନସ୍କାମକୁ । ୪ ।
ଭଣେ ଚିନ୍ତାମଣି,
ତେଜି ଅକରଣୀ,
ଜଗ ଜଗ ମନ ପରିଣାମକୁ । ୫ ।
ଭାସିଯାଏ ନାଆଖଣ୍ଡି ମଝି ଦରିଆାରେ,
ଚାରିଆଡ଼ ପୁର୍ଣ୍ଣ ତାର ନିବିଡ଼ ଅନ୍ଧାରେ ।
ନେଉଛି ବତାସ ତାକୁ ଯେଉଁ ଆଡ଼େ ଟାଣି,
ଧାଇଁଛି ସେ ସେହି ଆଡେ ଆଲୋଡିଣ ପାଣି ।
ଦଦରା ସେ ନାବଖଣ୍ଡି ପୁଣି ଘୁଣଲଗା,
ପଟାଯୋଡଯାକ ହୋଇଗଲାଣି ଅଲଗା ।
ଦୋହୁଲାଏ ଢ଼େଉ ତାକୁ ପଲକେ ପଲକେ,
ଫାଙ୍କାବାଟେ ପାଣି ପଶେ ଝଳକେ ଝଳକେ ।
ସ୍ଥଳ କୂଳ କାହିଁ କିଛି ଯାଉ ନାହିଁ ଦେଖା,
ଦିଶୁ ନାହିଁ କେଣେ ସୁଦ୍ଧା କ୍ଷୀଣାଲୋକ ରେଖା ।
ନାଉରି ହତାଶ ମନେ ହେଲାଣି ଛାନିଆଁ,
ବରଡା ପତର ପରି ଥରୁଛି ତା ହିଆ ।
ଡାକୁଅଛି ଅନ୍ତରର ଆତୁର ଭାଷାରେ,
ଜ୍ୟୋତିଧର ହରି, ରଖ ଏ ସଙ୍କଟୁ ବାରେ ।
ଦେଖାଅ ତୁମ୍ଭର ଜ୍ୟୋତି ଦୟା ବହି ଘାତେ,
ବାହି ନେବି ନାଆ ମୋର ତୁମ୍ଭ ପଦପ୍ରାନ୍ତେ ।
ତୁମ୍ଭ ବିନା ମୋର ଆଉ କିଏ ଅଛି ସାହା,
ଅକୂଳ ସାଗରଗର୍ଭେ ଦେଖାଇବ ରାହା ।
ଅନନ୍ତ ତୁମ୍ଭର ଦୟା ହେ ଅନନ୍ତଯଶା,
ଏହା ହିଁ ପ୍ରାଣରେ ମୋର ସାନ୍ତ୍ୱନା, ଭରସା ।
ଉଡିବୁଲୁ ପକ୍ଷି, ଘର ନାହିଁ କି ତୋହର,
ଯେବେ ଯେଉଁ ଗଛେ ବସୁ ସେ ହୁଏ ତୋ ଘର ।
ଗଛେ ଗଛେ ଥକ ମାରୁ ଅଳପ ବହୁତ,
ଥକା ମେଣ୍ଟି ଗଲେ ପୁଣି ହେଉ ସ୍ଥାନଚ୍ୟୁତ ।
କେଉଁଠୁ ତୁ ଉଡିଆସି ଉଡିଯାଉ କାହିଁ,
ଆନ କେ ଜାଣିବ ତାହା, ତୁ ବି ଜାଣୁ ନାହିଁ ।
କିଏ ବା ପଠାଏ ତୋତେ, କାହିଁକି ପଠାଏ,
ସେ ରହସ୍ୟ ଅଳି ଗୁପ୍ତ ଅନ୍ଧକାରେ ଥାଏ ।
କି ଲାଭ ସେ ପାଏ ତୋତେ ପେଷି ଥରଥର,
ଜାଣେ କି ସେ, ହେଉ ତୁ ଯେ କେତେ ହରବର ।
ଏ ଗୋଟାଏ ଖେଳ ତାର, ନୁହେଁ କିରେ ଖଗ,
ତୋ ମୁଖେ ବୋଲାଏ ପୁଣି କେତେ ଛଟା ଢ଼ଗ ।
ମନ୍ଦ ନୁହେଁ ଏ କୌତୁକ, କେଡ଼େ ରସିକ ସେ,
ତୋ ଦେହରେ ପଶି କେତେକାନ୍ଦେ କେତେ ହସେ ।
ନଚାଇ ଖେଳାଇ ସାରି ରେ ଟିକି ଚଡ଼ାଇ,
ଦିଏ ତୋତେ ବ୍ୟାଧହାତେ ସମୟେ ଧରାଇ ।
ଏ ଥର ତୁ ଯାଇ ତାର ନେବୁ ପ୍ରତିଶୋଧ,
ହେଉ ପଛେ ବିରକ୍ତ ସେ କରୁ ପଛେ କ୍ରୋଧ ।
କହୁ ଯେତେ ବହଲାଇ କିମ୍ବା ସାକୁଲାଇ,
କେବେ ହେଲେ ଆସିବାକୁ ମଙ୍ଗିବୁ ତୁ ନାହିଁ ।
ଭୁଲିଯବୁ ଯେବେ ଶୁଣି ତାହା ମିଠା କଥା,
ତେବେ ତ ବସିବୁ ଖାଇ ନିଜେ ନିଜ ମଥା ।
ଚିହ୍ନିଛୁ କି ପକ୍ଷି ତାକୁ, କେଡ଼େ ସେ ସିଆଣ,
ତୋର ନାମ ବଦଳାଇ ରଖିଅଛି ‘‘ପ୍ରାଣ ।’’
ମହା ମାୟାବୀ ସେ, ଜାଣେ ବିଦ୍ୟା - ଇନ୍ଦ୍ରଜାଲ,
ବନ୍ଦୀ କରିଛି ସେ ବିଶ୍ୱେ ଛନ୍ଦି ମୟାଜାଲ ।
ନ ଆସି ଯେ ରହିଯାଏ ତାହାରି ପାଖରେ,
ସେହି ସିନା ଶାନ୍ତିବୋଳା ସୁଖ ଭୋଗ କରେ ।
ପ୍ରେମରେ ଚିନ୍ତାଇ ତାକୁ ଭକତି ବ୍ୟାକୁଳେ,
ମାଗିନେବୁ ସ୍ଥାନ ତାର ପୁଣ୍ୟ ପାଦମୂଳେ ।
କିଣିବ କି ହରି କିଙ୍କର
ଜଣେ ବିନା ମୂଲ୍ୟରେ,
କଳେ ବଳେ ଗୁଞ୍ଜି ହେଉଛି
ରଖ ଆନୁକୂଲ୍ୟରେ ।
ଭାତ ବରତନ କିଛି ମୁଁ
କେବେ ମାଗିବି ନାହିଁ,
ଇଚ୍ଛାମତେ ପ୍ରଭୁ ସେବାରେ
ରଖିଥିବ ଖଟାଇ ।
ହେଳା କଲେ କ୍ଷଣେ କାମରେ
ଦେବ ଉଚିତ ଶାସ୍ତି
ଭୁଞ୍ଜିବାକୁ କେବେ ସେ ଦଣ୍ଡ
ନ କରିବି ମୁଁ ନାସ୍ତି ।
ଯୁଗେ ଯୁଗେ ମୁଁ ତ ଏକାକୀ
ନାହିଁ ଘରଦୁଆର
ତୁମ୍ଭ ବିନା କଡ଼େ କଉଡି
ଧାରେ ନାହିଁ କାହାର ।
ବିଚାରିଛି ତେଣୁ ଶୁଝିବି
ତୁମ୍ଭ ଋଣ ସେବାରେ,
ଏତିକି ସୁବିଧା ହରି ହେ
ଭଲା ପ୍ରଦାନ ବାରେ ।
ମନ ଜାଣି ସେବା କରିବି
କରିଅଛି ମୁ ପଣ,
ପୂର୍ଣ୍ଣକର ଦୀନ ବାସନା
ପ୍ରଭୁ ଦୀନତାରଣ ।
ଆତ୍ମସମର୍ପଣ କରୁଛି
ପଶି ପାଦେ ଶରଣ,
କବି କହେ ମିଳୁ ଶ୍ରୀମୁଖୁଁ
ପଦେ ଆଜ୍ଞା ବଚନ ।
ଏ ବାଟେ ଗଲା କି କଳା ହାତୀଟିଏ ।
ଦେଖିଛ କି କେହି କହିଦିଅ,
ନନ୍ଦରାଜାଙ୍କର ଗୁଣ୍ଠୁଣୀ ହାତୀ ସେ
ଯଶୋଦା ରାଣୀଙ୍କ ପ୍ରାଣପ୍ରିୟ । ୦ ।
ଝଲି ଝଲି ଚାଲେ ହାତୀ,
ଖେଳିବୁଲେ ଦିନରାତି,
ବଢ଼ିଛି ହାତୀଟି ଖାଇ ଖାଇ ନିତି
ଅଧାମ ଲବଣୀ ସର ଘିଅ । ୧ ।
ଭକ୍ତି - ଶିକୁଳିରେ ଛନ୍ଦା,
ଭାବ - ସ୍ତମ୍ଭେ ହୁଏ ବନ୍ଧା,
ନ ଦେଖି ତାହାକୁ ଅନ୍ଧ ହୋଇଯାନ୍ତି
କ୍ଷଣେ ଗୋପପୁର ପୁଅଝିଅ । ୨ ।
ହାତୀଟି ଅତି ଉତ୍ତମ,
ଦୃଷ୍ଟ ଦୁର୍ଜନର ଯମ,
କୁଟ ପାଞ୍ଚି ତାକୁ ମଲେ ତାହା ହାତେ
କଂସ ସେନାପତି ଦୁଷ୍ଟାତ୍ମୀୟ । ୩ ।
ହାତୀକି ଯେ କରେ ଆଶା,
ହରିଯାଏ ତା’ ପିପାସା,
ହାତୀପାଦୁ ଝରେ ଯେଉଁ ମହାମୃତ
ଭକ୍ତିଭାବ ଭୋଳେ ତାକୁ ପିଅ । ୪ ।
କବି ଡ଼ାକେ ହାତ ପାତି,
ଆସ ରେ କାଳିଆ ହାତୀ,
ଖୋଜି ଖୋଜି ତୋତେ ହାଲିଆ ହେଲିଣି
ତୁ ଯେ ମୋର ପ୍ରଭୁ ଅଦ୍ୱିତୀୟ । ୫ ।
ଥକିଲିଣି ଦେଖି ଦେଖି ପରିବର୍ତ୍ତନ,
ଥକି ପଡିଲାଣି ମୋର ଜୀବନ ମନ । ୦ ।
ଜନ୍ମାବଧି ଅନୁକ୍ଷଣ,
ଦେଖୁଛି ପରିବର୍ତ୍ତନ,
ଅଦ୍ଭୁତ ସଂସାର ଲୀଳା ନିତ୍ୟ ନୂତନ । ୧ ।
ଲାଗି ଅଛି ବେଳୁବେଳ,
କେତେ ବହୁରୂପୀ ଖେଳ,
ଆଜି ଯେ ନୂତନ କାଲି ସେ ପୁରାତନ । ୨ ।
ସଂସାରେ ସବୁ ଭଙ୍ଗୁର,
ଦୟାଳୁ ହୁଏ ନିଷ୍ଠୁର,
ଆଜି ଯେ ଦାତା, ସେ କାଲି ମହାକୃପଣ । ୩ ।
ଯେ ବା ଆଜି ଶିଷ୍ଟ ଶାନ୍ତ,
କାଲି ସେ ଦୁଷ୍ଟ ଦୁର୍ଦ୍ଦାନ୍ତ,
ଆଜି ଯେ ଚଣ୍ଡାଳ କାଲି ସେହୁ ବ୍ରାହ୍ମଣ । ୪ ।
ପରିବର୍ତ୍ତନ ସ୍ରୋତରେ
ଭାସିଯାଉଛି ମୁଁ ଖରେ,
କେତେ ଦୂରେ ଶେଷ ତାର ନାହିଁ କଳନ । ୫ ।
ମହାପରିବର୍ତ୍ତନରୁ
ଉଦ୍ଧର ହେ କଳ୍ପତରୁ,
ଶଙ୍କିତ ମୁଁ ଶଙ୍କା ମୋର କର ହରଣ । ୬ ।
ଏ ପରିବର୍ତ୍ତନ ଧକା -
ମାଡେ ଲାଗିଲାଣି ଥକା,
ଏ ଦଣ୍ଡରୁ କୋଟି ଗୁଣେ ଶ୍ରେୟ ମରଣ । ୭ ।
ନାହିଁ କିଛି ମୋ ଆୟତ୍ତ,
ରହିଛି ଉଦାସବତ,
ଯାହା ଇଚ୍ଛା କର ପ୍ରଭୁ ଗଲି ଶରଣ । ୮ ।
ଜୀବନ - ଦେବତା, ତୁମ୍ଭେ ମୃତ୍ୟୁ ଅଗ୍ରଦୂତ,
ମୃତ୍ୟୁରୁ ଜନମ ତବ ମୃତ୍ୟୁ ତୁମ୍ଭ ସୂତ ।
ବନ୍ଦୀ ହୋଇ ରହିଅଛି ଦେହ - କାରାଗାରେ,
ଦୁର୍ଜ୍ଜୟ ହର୍ଯ୍ୟକ୍ଷ ଯଥା ଲୁହା ପିଞ୍ଜରାରେ ।
ତଥାପି ତ ନାହିଁ ତବ ଶକ୍ତିର କଳନା,
ଛଳନାରେ ତୁମ୍ଭେ ଏକା ତୁମ୍ଭରି ତୁଳନା ।
କେତେବେଳେ କେଉଁ ବାଟେ ଚାରିଯାଅ କାହିଁ,
ଦେହ ସଙ୍ଗେ ଦେଖା ଆଉ ସେହିଠାରୁ ନାହିଁ ।
ଉଡିଯିବ ତୁମ୍ଭେ, ଦେହ ମିଶିବ ପାଞ୍ଚରେ,
ସେ ପାଞ୍ଚେ ମିଶାଇ ତୁମ୍ଭେ ଢ଼ାଳିବ ଛାଞ୍ଚରେ ।
ସେ ହେବ ତୁମ୍ଭର ରଥ ତୁମ୍ଭେ ହେବ ରଥୀ,
ଚଳାଇବ ସେ ରଥକୁ ବାସନା - ସାରଥି ।
ପଞ୍ଚେନ୍ଦ୍ରିୟ ଅଶ୍ୱ ହୋଇ ଟାଣିବେ ସେ ରଥ,
ସାଧିବ ସ୍ୱକାର୍ଯ୍ୟ ତୁମ୍ଭେ ଇତର ମହତ ।
ଚାଲିଯିବ କେଉଁଠାକୁ ପୁଣି ଅଲକ୍ଷ୍ୟରେ,
ଲାଗିଅଛି ଯାତାୟାତ ତବ ନିରନ୍ତରେ ।
ବଡ ଅବିଶ୍ୱାସୀ ତୁମ୍ଭେ ମହାଦଗାଦାର,
ନ କହି ନ ପୁଚ୍ଛି ଯାଅ ଚାଲି ବାରମ୍ବାର ।
ଜନମନେ କେତେ ଆଶା ଭରସା ଖେଳାଇ,
ଭଣ୍ଡିଦେଇ ଆଚମ୍ବିତେ ଯାଅ ହେ ପଳାଇ ।
ଏ ତୁମ୍ଭର କି କୌତୁକ ଅଥବା କି ଲୀଳା,
ଅମୃତ ଭୁଞ୍ଜାଇ ସାରି ଭୁଞ୍ଜାଅ କୋଚିଳା ।
ତୁମ୍ଭେ ତ ସାକ୍ଷାତ ବ୍ରହ୍ମ ନିତ୍ୟ ନିରାକାର,
ଅଚିନ୍ତ୍ୟ ମହିମା ତବ ଅନନ୍ତ ଅପାର ।
ବୁଝୁଛୁ କି ଭ୍ରାନ୍ତଜନ ଦୁନିଆ ବେଭାର,
ସବୁଦିନ ଯାଏ ନାହିଁ ସମାନ କାହାର ।
ଏବେ ତୁ ପାଉଛୁ ପୂଜା ଷୋଳ ଉପଚାରେ,
ଶକ୍ତି ଗଲେ କିଏ ଆଉ କାହାକୁ ପଚାରେ ।
ଯେଉଁମାନେ ହୋଇଛନ୍ତି ଏବେ ତୋର ଭକ୍ତ,
ସେହିମାନେ କହିବେ ରେ ହୋଇଣ ବିରକ୍ତ ।
ମରୁଛି ନା ଜୀଉଛି ଏ ଥୁବୁରା ବୁଢ଼ାଟା,
ସମସ୍ତଙ୍କୁ ହନ୍ତ ସନ୍ତ କରୁଛି ପୋଡ଼ାଟା ।
ମଲେ ଏ ଯାଆନ୍ତା ସଲ, ମିଳନ୍ତା ନିସ୍ତାର,
ପୋଡ଼ା ଯମ ପାଞ୍ଜି ପୋଡ଼ିଦେଲାଣି ଏହାର ।
କଡାକର ମୁଣ୍ଡ ନୁହେଁ ଗିଳିବ ହାଣ୍ଡିଏ,
ଗୋରୁ ଗାଈ ପରି ପୁଣି ପିଇବ ମାଣ୍ଡିଏ ।
ଲାଜ ନାହିଁ ନିର୍ଲଜ୍ଜାକୁ ଖାଇ ପିଇ କରି,
ଭୂଇଁ ଅଣ୍ଡାଳୁଛି ବସି ଧୃତରାଷ୍ଟ୍ର ପରି ।
ଉଛୁଣିକା ମରନ୍ତା କି ଏ ଧଡ଼ିଆ କୁଜା,
ଶିର୍ଣ୍ଣିଦେଇ କରନ୍ତି ମୁଁ ସତ୍ୟପୀର ପୂଜା ।
ଆମ ଖୁସି ଯାହା କଲୁଁ ଏଉଟା କିପାଇଁ,
ଦିନରାତି ହେଉଅଛି ରବାଇ ଖବାଇ ।
ଖାଉଥା କୁକୁର ପରି ପଡ଼ିଥା ପିଣ୍ଡାରେ,
ଜାହାଜ ଖବର ତୋର କି ଲୋଡ଼ା ହୁଣ୍ଡାରେ ।
ଶୁଖିଲା କାହାଣୀ ଛଡ଼ା ନାହିଁ କରାମତି,
ନିଜେ ତ ଗୋଦର ପୁଣି ପରକୁ ବାଛନ୍ତି ।
ରାନ୍ଧିବାଢ଼ି ପରଶିବ ରଖିଛି ଚାକର,
ଗତର ନ ତଳେ ଯାର ଭାରି ତା ଚାତର ।
ରଖିଛି ବାପର ଥାତି ଖାଉଥିବ ବସି,
ଆଠ ପହରକୁ ପୁଣି ଫରମାସ ଅଶି ।
ଏହିପରି ବାର କଥା କହିବେ ଛଳାଇ,
ଜୀଅନ୍ତା ଦେହରେ ନିଆଁ ଦେବେ ରେ ଜଳାଇ ।
ତୋ କାମରେ ପୁରସ୍କାର ଏ ଗାଳି ଫଜିତ,
ନ ହେବୁ ଦୁଃଖିତ ତହିଁ ନ ହେବୁ ଲଜ୍ଜିତ ।
ଏକା ତୋ କପାଳେ ନୁହେଁ-ଦୁନିଆ କପାଳେ,
ଏହି ଦଶା, ଏହି ଫଳ ମିଳେ ଶେଷ କାଳେ ।
ମନ ଊଣା ନ କରିବୁ ଶୁଣି କାହା କଥା,
କଥାରେ କି ହୋଇଯାଏ ଦେହ ହାତ ବଥା ।
ଅଲଣା କଥାରେ କେବେ କାନ ଦେବୁ ନାହିଁ,
ଧ୍ୟାଇଥିବୁ ହରିପାଦ କରିବେ ସେ ତ୍ରାହି ।
ହେଲାଣି ତ ସଞ୍ଜ ଆଉ ଦଣ୍ଡକ ସକାଶେ,
କରିବୁ କା’ସଙ୍ଗେ କଳି କେଉଁ ଲାଭ ଆଶେ ।
ଏ କାଳେ ଯା ଲୋଡ଼ା ତୋର ଚିନ୍ତ ସେହି ପଥ,
ଅଭିମାନ ଅପମାନ ସକଳ ବିଅର୍ଥ ।
ସମୟକୁ ଜଗିଥିବୁ ସବୁ ଚିନ୍ତା ତେଜି,
ପୂଜୁଥିବୁ ବିଭୁପାଦ ପରିଣାମ ହେଜି ।
ମାଟିକଥା ସବୁ ପଡ଼ି ରହିବ ମାଟିରେ,
ଧର୍ମକୁ ଧରିଥା ଦୃଢ଼େ ଯିବ ସେ ସାଥୀରେ ।
ଅଜ୍ଞାନ ସଙ୍ଗରେ କଳି ନୁହେଁ ବଡ଼ପଣ,
ବଡ଼ପଣ ପ୍ରଭୁପାଦେ ଆତ୍ମସମର୍ପଣ ।
ଆସୁଛି ଅନ୍ଧାର ବେଗେ ବଦନ ବିସ୍ତାରି,
ଚିନ୍ତ ଏବେ କି ପ୍ରକାରେ ହେବୁ ନଦୀ ପାରି ।
ଦୁଇ କୂଳ ଖାଇ ବଢ଼େ ବୈତରଣୀ ବଢ଼ି,
କିପରି ବା ପାରିହେବୁ ନୌକାରେ ନ ଚଢ଼ି ।
ଆଶ୍ରାକର ହରିପାଦ ଆଶଙ୍କା ନ ଗଣି,
ସେହି ତପ୍ତ ବୈତରଣୀ ତରଣେ ତରଣୀ ।
ନ ମିଳୁ ପଛକେ ମୁଠେ ଖାଇବାକୁ ସୁଦ୍ଧା,
ବିଭୁ ପ୍ରେମାମୃତ ପାନେ ଖଣ୍ଡିଯିବ କ୍ଷୁଧା ।
ହରିପ୍ରେମ ମହାମୃତ ପିଇବ ଯେ ଢ଼ୋକେ,
କେବେ ସେ ମରିବ ନାହିଁ ଶୋଷେ ଅବା ଭୋକେ ।
ଶେଷକାଳେ ତୀର୍ଥବାସ ମୁକ୍ତି ସ୍ୱର୍ଗ ସମ,
ସ୍ଥାନ ପ୍ରଭାବରେ ତହିଁ ବଢ଼ଇ ସଂଯମ ।
କିନ୍ତୁ ମନ ଯେବେ ହୁଏ ପ୍ରସନ୍ନ ସୁସ୍ଥିର,
କୋଟି ତୀର୍ଥଠାରୁ ବଳେ ନିଜର କୁଟୀର ।