Unknown

ଭ୍ରାତୃ-ନିବେଦନ

ଶ୍ରୀ ଚନ୍ଦ୍ରଚୂଡ଼ାମଣି ରାଜା ହରିଚନ୍ଦନ ଜଗଦେବ

 

ଦେଶ କାର୍ଯ୍ୟେ ଦେଇ ମନ,

କର ଯଶୋଧର୍ମ ସୁଖ ଅର୍ଜନ, ହେ ଭ୍ରାତୃଗଣ

ଔଦାସ୍ୟେ ବର୍ଜି ବହନ ହେ ଭ୍ରାତୃଗଣ । ୧ ।

 

ହିତ ଚିନ୍ତାଟି କେବଳ,

ରଖେ ମସ୍ତିଷ୍କକୁ କରି ସବଳ, ହେ ଭ୍ରାତୃଗଣ

ଫଳାଏ କାଳେ ସୁଫଳ ହେ ଭ୍ରାତୃଗଣ । ୨ ।

 

ପୂର୍ବ ଆର୍ଯ୍ୟଙ୍କ କୌଶଳେ,

କେତେ ସୁମହତ କାର୍ଯ୍ୟ ମଙ୍ଗଳେ, ହେ ଭ୍ରାତୃଗଣ

ହୋଇଥିଲା ଏ ଉତ୍କଳେ ହେ ଭ୍ରାତୃଗଣ । ୩ ।

 

ଲୁପ୍ତ ଆହା ଆର୍ଯ୍ୟପଣ,

ଲୁପ୍ତ ଏବେ ପୂର୍ବ ଆଚାର୍ଯ୍ୟଗଣ, ହେ ଭ୍ରାତୃଗଣ

ନାହିଁ ସେ ଭାବ ଧରଣ ହେ ଭ୍ରାତୃଗଣ । ୪ ।

 

ଆତ୍ମ ସ୍ୱାର୍ଥ ବଶେ ରହି,

ଜାତୀୟ ଜୀବନ ଦେଉଛ ଦହି, ହେ ଭ୍ରାତୃଗଣ

ତୁଚ୍ଛା ଅଭିମାନ ବହି ହେ ଭ୍ରାତୃଗଣ । ୫ ।

 

ହୀନଠାରୁ ହୀନତର,

ହେଲ ନିରୁତ୍ସାହେ କରି ଆଦର, ହେ ଭ୍ରାତୃଗଣ

ନ ଚିହ୍ନି ନିଜ ସୋଦର ହେ ଭ୍ରାତୃଗଣ । ୬ ।

 

ଭାବୁଥିଲେ ସଦା ବସି,

ଉଇଁବ ପୂରୁବ ଗୌରବ-ଶଶୀ, ହେ ଭ୍ରାତୃଗଣ

କାର୍ଯ୍ୟରେ ଲାଗ ଭରସି ହେ ଭ୍ରାତୃଗଣ । ୭ ।

 

ଏକତାଟି ଅଟେ ମୂଳ,

ସେ ଭାବକୁ ହୃଦେ କଲେକ ଠୁଳ, ହେ ଭ୍ରାତୃଗଣ

ଉନ୍ନତି ହେବ ପୃଥିଳ ହେ ଭ୍ରାତୃଗଣ । ୮ ।

 

ବାକ୍ୟାଡ଼ମ୍ବର ଶୋଭିତ,

ବକ୍ତୃତାଦି ଆଉ ନୁହେ ଗୃହୀତ, ହେ ଭ୍ରାତୃଗଣ

କର ଯା ସମୟୋଚିତ ହେ ଭ୍ରାତୃଗଣ । ୯ ।

 

ଦେଶ ଶ୍ରୀବୃଦ୍ଧି ବିଧାନ,

ପାଇଁ ଧନ ଥିଲେ କରି ପ୍ରଦାନ, ହେ ଭ୍ରାତୃଗଣ

ସୁଫଳ କର ଆଦାନ ହେ ଭ୍ରାତୃଗଣ । ୧୦ ।

 

କାର୍ଯ୍ୟଟି ଅଟେ ଦେବତା,

ଚରାଚର ବିଶ୍ୱ ମୁଖ୍ୟ କରତା, ହେ ଭ୍ରାତୃଗଣ

ବଢ଼ାଏ ଜାତି ମମତା ହେ ଭ୍ରାତୃଗଣ । ୧୧ ।

 

କର୍ତ୍ତବ୍ୟେ ନୋହି ବିମୁଖ

ସାଧୁଥିଲେ ଦୃଢ଼େ ସହିଣ ଦୁଃଖ, ହେ ଭ୍ରାତୃଗଣ

ପାଇବ ନିଶ୍ଚୟ ସୁଖ ହେ ଭ୍ରାତୃଗଣ । ୧୨ ।

 

ବିଜ୍ଞାନ-ଆଲୋକ ବଳେ,

ନ ତଡ଼ିଲେ ଜାଡ଼୍ୟ-ତମେ ଚପଳେ, ହେ ଭ୍ରାତୃଗଣ

ହେବ କି ଉନ୍ନତି ଭଲେ ହେ ଭ୍ରାତୃଗଣ । ୧୩ ।

 

କୁରୀତି ରାହୁର ଦାଉ,-

ଯୋଗରେ ଉନ୍ନତି-ମାର୍ତ୍ତଣ୍ଡ କାହୁଁ, ହେ ଭ୍ରାତୃଗଣ

ଆସି ପ୍ରକାଶିବ ଆଉ ହେ ଭ୍ରାତୃଗଣ । ୧୪ ।

 

ପରସ୍ପର ବାଦ ବିଷ,

ଘାରି ଘୂରାଉଛି ସିନା ଅନିଶ, ହେ ଭ୍ରାତୃଗଣ

ଦେଉଛି କରି ବାଳିଶ ହେ ଭ୍ରାତୃଗଣ । ୧୫ ।

 

ଉପାର୍ଜି ସୁଶିକ୍ଷା ବଳ,

ସର୍ବେ ଠୁଳ ହୋଇ କଲେ କୌଶଳ, ହେ ଭ୍ରାତୃଗଣ

ଦେଶର ହେବ ମଙ୍ଗଳ ହେ ଭ୍ରାତୃଗଣ । ୧୬ ।

 

କର୍ମଟି ଯୋଗ କେବଳ,

ତାହା ବିନା ନାହିଁ ଅନ୍ୟ ସମ୍ବଳ, ହେ ଭ୍ରାତୃଗଣ,

ଲାଗ ତହିଁରେ ସକଳ ହେ ଭ୍ରାତୃଗଣ । ୧୭ ।

 

ସ୍ୱଦେଶ ସେବା ବ୍ୟତୀତ,

ନ ଦେଇଣ ଆନେ ମନ କିଞ୍ଚିତ, ହେ ଭ୍ରାତୃଗଣ

ସୁଯଶ କର ସଞ୍ଚିତ ହେ ଭ୍ରାତୃଗଣ । ୧୮ ।

 

ମିଶିଗଲେ ମନ ମନ,

ପାହିଯିବ ଦୁଃଖ-ନିଶି ବହନ, ହେ ଭ୍ରାତୃଗଣ

ପ୍ରାପ୍ତ ହେବ ସୁଖଧନ ହେ ଭ୍ରାତୃଗଣ । ୧୯ ।

 

ଜନ୍ମ ହୋଇ ଆର୍ଯ୍ୟ ବଂଶେ,

ହେଲ ହୀନମାନ ଅଜ୍ଞାନ ବଶେ, ହେ ଭ୍ରାତୃଗଣ

ମତ୍ତ ହୋଇ ସ୍ୱାର୍ଥ ରସେ ହେ ଭ୍ରାତୃଗଣ । ୨୦ ।

 

ଆଚର ଏକତା ବ୍ରତ,

ସଙ୍କଳ୍ପକୁ କରି ସଦା ଜାଗ୍ରତ, ହେ ଭ୍ରାତୃଗଣ

ହୋଇ ଦେଶହିତେ ରତ ହେ ଭ୍ରାତୃଗଣ । ୨୧ ।

 

ଆଳସ୍ୟ-କର୍ଦ୍ଦମେ ବୁଡ଼ି,

ପୂର୍ବ ପୁରୁଷଙ୍କ ପଦାଙ୍କ ହୁଡ଼ି, ହେ ଭ୍ରାତୃଗଣ

ଦେଇଛ ସୁଖ ଘଉଡ଼ି ହେ ଭ୍ରାତୃଗଣ । ୨୨ ।

 

ଏକତା ସୂତ୍ରେ ସକଳେ,

ଛନ୍ଦାଛନ୍ଦି ହୋଇ ସୁଶିକ୍ଷା ବଳେ, ହେ ଭ୍ରାତୃଗଣ

ଲାଗ କାର୍ଯ୍ୟରେ କୁଶଳେ ହେ ଭ୍ରାତୃଗଣ । ୨୩ ।

 

ମନେ ଭାବି ଅନୁକ୍ଷଣ,

ଭୂତ ବଂଶଧର ପାରିଆ ପଣ, ହେ ଭ୍ରାତୃଗଣ

କର ତା’ ଅନୁକରଣ ହେ ଭ୍ରାତୃଗଣ । ୨୪ ।

 

ଥରେ ସ୍ମରି ପୂର୍ବ ଯଶ,

କାର୍ଯ୍ୟକ୍ଷେତ୍ରେ ସର୍ବେ ଏକତ୍ରେ ପଶ, ହେ ଭ୍ରାତୃଗଣ

ନୋହିଣ ନୈରାଶ୍ୟ ବଶ ହେ ଭ୍ରାତୃଗଣ । ୨୫ ।

 

ଦେଶର କଲେ ସୁକାର୍ଯ୍ୟ,

ବୋଲାଇବ ଦିନେ ପ୍ରକୃତ ଆର୍ଯ୍ୟ, ହେ ଭ୍ରାତୃଗଣ

ହେବ ଦୁଃଖ ପରିହାର୍ଯ୍ୟ ହେ ଭ୍ରାତୃଗଣ । ୨୬ ।

 

ନିୟମ କରିଛି ବିଧି,

ସାଧନ ବଳରେ ମିଳଇ ସିଦ୍ଧି, ହେ ଭ୍ରାତୃଗଣ

ଆଚରେ ସେ ମହାବିଧି ହେ ଭ୍ରାତୃଗଣ । ୨୭ ।

 

ବଡ଼ ସାନ ଅଭିମାନ,

କହି ବୃଥା ନୁହ କେ ହୀନମାନ, ହେ ଭ୍ରାତୃଗଣ

ହରାଇ ପୂର୍ବ ସମ୍ମାନ ହେ ଭ୍ରାତୃଗଣ । ୨୮ ।

 

ବାକ୍ୟରେ କହୁଛି ଯାହା,

କାର୍ଯ୍ୟେ ପରିଣତ କଲେ ତାହା, ହେ ଭ୍ରାତୃଗଣ

ଫିଟିବ ଉନ୍ନତି ରାହା ହେ ଭ୍ରାତୃଗଣ । ୨୯ ।

 

କାର୍ଯ୍ୟକ୍ଷେତ୍ରେ କଦାଚନ,

ନ କରି କଳହ-ବୀଜ ବପନ, ହେ ଭ୍ରାତୃଗଣ

କର୍ତ୍ତବ୍ୟ କର ପାଳନ ହେ ଭ୍ରାତୃଗଣ । ୩୦ ।

 

କଳହ-ଅନଳ ଜାଳି,

ଦ୍ୱେଷ-ଘୃତ ତହିଁ ନ ଦିଅ ଢାଳି, ହେ ଭ୍ରାତୃଗଣ

ଦର୍ଶକେ ମାରିବେ ତାଳି ହେ ଭ୍ରାତୃଗଣ । ୩୧ ।

 

କାର୍ଯ୍ୟରେ ସର୍ବେ ସମାନ,

କେହି ନୁହେ ବଡ଼ କେ ନୁହେ ସାନ, ହେ ଭ୍ରାତୃଗଣ

ନ ରଖ ସେ ଅଭିମାନ ହେ ଭ୍ରାତୃଗଣ । ୩୨ ।

 

ରଖ ମାତୃଭାଷା ଟେକ,

ମନଯୋଗେ ସର୍ବେ ହୋଇଣ ଏକ, ହେ ଭ୍ରାତୃଗଣ

ଶିକ୍ଷିତ ହୋଇ ଅନେକ ହେ ଭ୍ରାତୃଗଣ । ୩୩ ।

 

ବ୍ରତୀ ହୁଅ କର୍ମ ଯୋଗେ,

ଶଯ୍ୟାଗତ ନୁହ ଆଳସ୍ୟ ରୋଗେ, ହେ ଭ୍ରାତୃଗଣ

ନ ଭୁଲି କ୍ଷଣିକ ଭୋଗେ ହେ ଭ୍ରାତୃଗଣ । ୩୪ ।

 

ଅଟେ ତା ଜନମ ଧିକ,

ଯେ ନ ମଣେ ସ୍ୱଭାଷାକୁ ଅଧିକ, ହେ ଭ୍ରାତୃଗଣ

ନାହିଁ ତା ଜାତିର ଠିକ ହେ ଭ୍ରାତୃଗଣ । ୩୫ ।

 

ଦେଶ କଥା ଯାର ମନେ,

ସ୍ମରଣ ନୁହଇ କେବେହେଁ କ୍ଷଣେ, ହେ ଭ୍ରାତୃଗଣ

ତାକୁ କେ ମାନବେ ଗଣେ ହେ ଭ୍ରାତୃଗଣ । ୩୬ ।

 

ବିଳାସ-ଜମ୍ବାଳେ ବୁଡ଼ି,

ଉଡ଼ାଇ ନ ଦିଅ ଘର କଉଡ଼ି, ହେ ଭ୍ରାତୃଗଣ

ଆତ୍ମୋନ୍ନତି ପଥ ହୁଡ଼ି ହେ ଭ୍ରାତୃଗଣ । ୩୭ ।

 

ନିଜ ଜାତି ନିଜ ଭାଷା,

ଅଣହେଳା ଆଉ କଲେକି ଆଶା, ହେ ଭ୍ରାତୃଗଣ

ମେଣ୍ଟିକ ନାହିଁ ପିପାସା ହେ ଭ୍ରାତୃଗଣ । ୩୮ ।

 

ମୁହିଁ ଅଟେ ଏକା ବଡ଼,

ବୋଲି ଗର୍ବ-ଗର୍ତ୍ତେ ଆଉ ନ ପଡ଼, ହେ ଭ୍ରାତୃଗଣ

ସେ କୁଭାବ ମନୁ ତଡ଼ ହେ ଭ୍ରାତୃଗଣ । ୩୯ ।

 

ତୁମ୍ଭ ପରି ପଣ ପଣ,

ଅଛନ୍ତି ରାଜାଦି ଶିକ୍ଷିତଗଣ, ହେ ଭ୍ରାତୃଗଣ

ଛାଡ଼ ବଡ଼ାଣିଆପଣ ହେ ଭ୍ରାତୃଗଣ । ୪୦ ।

 

ଦାସତ୍ୱ ସାଧଇ କ୍ଷତି,.

ଅଳସୁଆଙ୍କ ସେ ଅଟେ ସମ୍ପତ୍ତି, ହେ ଭ୍ରାତୃଗଣ

ତହିଁରେ ନୁହେଁ ଉନ୍ନତି ହେ ଭ୍ରାତୃଗଣ । ୪୧ ।

 

ହେଲେହେଁ ଯେତେ ନିକୃଷ୍ଟ,

ସ୍ୱକୀୟ ଭାଷାକୁ ମଣ ଉତ୍କୃଷ୍ଟ, ହେ ଭ୍ରାତୃଗଣ

ଅନ୍ୟରେ ନୁହ ଆକୃଷ୍ଟ ହେ ଭ୍ରାତୃଗଣ । ୪୨ ।

 

ସମସ୍ତ ଗଲେହେଁ ଯାଉ,

ନ ମିଳୁ ପଛକେ ମାଣ୍ଡିଆ ଜାଉ, ହେ ଭ୍ରାତୃଗଣ

ଜାତୀୟ ଜୀବନ ଥାଉ ହେ ଭ୍ରାତୃଗଣ । ୪୩ ।

 

ବାହ୍ୟାଡ଼ମ୍ବରେ ସମସ୍ତ-

ସମ୍ପତ୍ତି ହରାଇ ହୋଇଣ ବ୍ୟସ୍ତ, ହେ ଭ୍ରାତୃଗଣ

ନୁହ ବୃଥା ଅପଦସ୍ଥ ହେ ଭ୍ରାତୃଗଣ । ୪୪ ।

 

ଛାଡ଼ ବଡ଼ ସାନ ଭାବ,

ସମସ୍ତଙ୍କ ଏକ ସମାନ ଭାବ, ହେ ଭ୍ରାତୃଗଣ

ତା ସିନା ସାମ୍ୟ ସ୍ୱଭାବ ହେ ଭ୍ରାତୃଗଣ । ୪୫ ।

 

ଦେଇ ମନ ପ୍ରାଣ ଧନ,

ନ କଲେ କଠୋର ବ୍ରତ ପାଳନ, ହେ ଭ୍ରାତୃଗଣ

ହେବ କି କାର୍ଯ୍ୟ ସାଧନ ହେ ଭ୍ରାତୃଗଣ । ୪୬ ।

 

ତେଜିଣ ଦୌର୍ବଲ୍ୟ ଗୁଣ,

ମହତ ଗୁଣରେ ହୁଅ ନିପୁଣ ହେ ଭ୍ରାତୃଗଣ

ଶୁଝ ମାତୃଭୂମି ଋଣ ହେ ଭ୍ରାତୃଗଣ । ୪୭ ।

 

ମାତୃଭୂମି ସେବା ବଳେ,

ଲଭିବ ସ୍ୱର୍ଗୀୟ ସୁଖ ଭୂତଳେ, ହେ ଭ୍ରାତୃଗଣ

କର୍ମେ ସିନା ସବୁ ଫଳେ ହେ ଭ୍ରାତୃଗଣ । ୪୮ ।

 

ସ୍ୱଭାଷା ଉନ୍ନତି ତନ୍ତ୍ର,

ସିଦ୍ଧି ସାଧନାର ଅବ୍ୟର୍ଥ ଯନ୍ତ୍ର ହେ ଭ୍ରାତୃଗଣ

ଦେଶ ସଞ୍ଜିବନୀ ମନ୍ତ୍ର ହେ ଭ୍ରାତୃଗଣ । ୪୯ ।

 

ଭାଷା ଅଟେ କର୍ଣ୍ଣଧାର,

ଜଡ଼ତା-ସମୁଦ୍ର କରଣେ ପାର, ହେ ଭ୍ରାତୃଗଣ

ସମ୍ମାନ ରଖ ତାହାର ହେ ଭ୍ରାତୃଗଣ । ୫୦ ।

 

ଅଳିକ ସଂସାରେ ଭାଇ,

ଚିର ହୋଇ କିଛି ରହିବ ନାହିଁ, ହେ ଭ୍ରାତୃଗଣ

ଲାଗ ପର ହିତ ପାଇଁ ହେ ଭ୍ରାତୃଗଣ । ୫୧ ।

 

ଫିଟାଇ ମାୟା ବନ୍ଧନ,

ବୋଳି ହୁଅ ପରହିତ-ଚନ୍ଦନ, ହେ ଭ୍ରାତୃଗଣ

ବୋଲାଅ ଯୋଗ୍ୟ ନନ୍ଦନ ହେ ଭ୍ରାତୃଗଣ । ୫୨ ।

 

ଢାଳ ପ୍ରାଣ ମନ ଧନ,

ସ୍ୱଦେଶ ସ୍ୱଭାଷା ହିତେ ବହନ, ହେ ଭ୍ରାତୃଗଣ

କୃତାର୍ଥ କର ଜୀବନ ହେ ଭ୍ରାତୃଗଣ । ୫୩ ।

 

ବସିଣ ଏକତା-ନାବେ,

ସାମ୍ୟ ମୈତ୍ରୀ-କାତେ ଚଳାଅ ଭାବେ, ହେ ଭ୍ରାତୃଗଣ

ଇଚ୍ଛା ଥିଲେ ପାର ଲାଭେ ହେ ଭ୍ରାତୃଗଣ । ୫୪ ।

 

ମାତୃପୂଜା ମହାଧର୍ମ,

ଭ୍ରାତୃ ସେବା ଅଟେ ଉତ୍କୃଷ୍ଟ କର୍ମ, ହେ ଭ୍ରାତୃଗଣ

ଆଚର ବୁଝି ସେ ମର୍ମ ହେ ଭ୍ରାତୃଗଣ । ୫୫ ।

 

ଧରି ମନେ ନବ ଆଶା,

ଶୋଧିତ ମାର୍ଜିତ କର ସ୍ୱଭାଷା, ହେ ଭ୍ରାତୃଗଣ

ନ ରଖ ମନେ ହତାଶା ହେ ଭ୍ରାତୃଗଣ । ୫୬ ।

 

ମାତାର କାର୍ଯ୍ୟରେ ଭାଇ,

ଧର୍ମାଧର୍ମ ଭେଦ ବାରିବ ନାହିଁ ହେ ଭ୍ରାତୃଗଣ

ଦ୍ୱେଷ-ମଦେ ହୋଇ ବାଇ ହେ ଭ୍ରାତୃଗଣ । ୫୭ ।

 

ସଂଯତ କରିଣ ମନ,

ଚରିତ୍ରକୁ କର ଦୃଢ଼େ ଗଠନ, ହେ ଭ୍ରାତୃଗଣ

ହେବ ସବୁ ଉପାର୍ଜ୍ଜନ ହେ ଭ୍ରାତୃଗଣ । ୫୮ ।

 

ଚରିତ୍ର ଲଭିଲେ ନାଶ,

ମିଳିବ ନାହିଁଟି ଅଶନ ବାସ, ହେ ଭ୍ରାତୃଗଣ

ମନୁଷ୍ୟତ୍ୱ ହେବ ହ୍ରାସ ହେ ଭ୍ରାତୃଗଣ । ୫୯ ।

 

କର ଦେଶ ପାଇଁ କାମ,

ଛାଡ଼ି ଯିବାବେଳେ ଏ ମର୍ତ୍ତ୍ୟ ଧାମ, ହେ ଭ୍ରାତୃଗଣ

ରହିବ ଅମର ନାମ ହେ ଭ୍ରାତୃଗଣ । ୬୦ ।

 

ଆସିଛ ସର୍ବେ ଯେସନ,

ଖାଲି ଯିବ ଚାଲି ହାତେ ତେସନ, ହେ ଭ୍ରାତୃଗଣ

ନ କଲେ କର୍ମ ସାଧନ ହେ ଭ୍ରାତୃଗଣ । ୬୧ ।

 

ଆହା ଉତ୍କଳ ଜନନୀ,

ନେତ୍ରୁ ମୁଞ୍ଚେ ଅଶ୍ରୁ ଦିବା ରଜନୀ, ହେ ଭ୍ରାତୃଗଣ

କରିଛି ଶଯ୍ୟା ଅବନୀ ହେ ଭ୍ରାତୃଗଣ । ୬୨ ।

 

ନ ବୁଝିଲ ମାତା ଦୁଃଖ,

ମାତିଅଛ ଘେନି ଆପଣା ସୁଖ ହେ ଭ୍ରାତୃଗଣ

କାଳେ ହେବଟି ବିମୁଖ ହେ ଭ୍ରାତୃଗଣ । ୬୩ ।

 

ଭାବି ଭାବି ପୂର୍ବ କଥା,

ଜନନୀ ନିରତେ ପାଉଛି ବ୍ୟଥା, ହେ ଭ୍ରାତୃଗଣ

ଲାଜେ ନ ଟେକଇ ମଥା ହେ ଭ୍ରାତୃଗଣ । ୬୪ ।

 

କାହିଁ ତା ସେ ସୁଖ ଦିନ,

କାଳ ସ୍ରୋତେ ହୋଇଅଛି ବିଲୀନ, ହେ ଭ୍ରାତୃଗଣ

ହେଲା ସବୁଠାରୁ ହୀନ ହେ ଭ୍ରାତୃଗଣ । ୬୫ ।

 

ଭୋଗି ସେ ଅସହ୍ୟ ଦଣ୍ଡ,

ପଡ଼ିଛି ତ୍ରିଠାଇଁ ହୋଇ ତ୍ରିଖଣ୍ଡ, ହେ ଭ୍ରାତୃଗଣ

ସଦା ହୁଏ ଲଣ୍ଡଭଣ୍ଡ ହେ ଭ୍ରାତୃଗଣ । ୬୬ ।

 

ହୋଇ ଭଞ୍ଜ-କଞ୍ଜ ହୀନ,

ଦିଶଇ ସାହିତ୍ୟ-ତଡ଼ାଗ ଶୀର୍ଣ୍ଣ, ହେ ଭ୍ରାତୃଗଣ

ନ ଖେଳେ ଚାତୁରୀ ମୀନ ହେ ଭ୍ରାତୃଗଣ । ୬୭ ।

 

କୃଷ୍ଣସିଂହକୁ ହରାଇ,

କାନ୍ଦଇ ଜନନୀ ମନେ ପକାଇ, ହେ ଭ୍ରାତୃଗଣ

ନୟନ ଅଶ୍ରୁ ବୁହାଇ ହେ ଭ୍ରାତୃଗଣ । ୬୮ ।

 

ସାଧୁ ଦୀନବନ୍ଧୁ ରାଜ,

କାହିଁଗଲା ଗଢ଼ି ସାହିତ୍ୟ ସାଜ, ହେ ଭ୍ରାତୃଗଣ

ଛାଡ଼ିଣ କବି ସମାଜ ହେ ଭ୍ରାତୃଗଣ । ୬୯ ।

 

ବଳଭଦ୍ର କବି ରବି,

ଲେଖା ମଧ୍ୟେ ଦେଖି ଅପୂର୍ବ ଛବି, ହେ ଭ୍ରାତୃଗଣ

ଯାଉଥିଲା ଦ୍ରବି ପବି ହେ ଭ୍ରାତୃଗଣ । ୭୦ ।

 

ବିଶ୍ୱକର୍ମା ଯଦୁମଣି,

ବସାଇଣ ଥିଲା କାବ୍ୟ-ବିପଣି, ହେ ଭ୍ରାତୃଗଣ

ଖୋଳି ସେ କବିତା-ଖଣି, ହେ ଭ୍ରାତୃଗଣ । ୭୧ ।

 

ବଳରାମ କୃଷ୍ଣ ଦାସ,

କରିବାରୁ ଭକ୍ତିଗ୍ରନ୍ଥ ବିନ୍ୟାସ, ହେ ଭ୍ରାତୃଗଣ

କି ଶୋଭେ ସାହିତ୍ୟବାସ ହେ ଭ୍ରାତୃଗଣ । ୭୨ ।

 

ଶ୍ରୀ ଅଭିମନ୍ୟୁସାମନ୍ତ,

କବିତା- ଧନରେ ଥିଲା ଶ୍ରୀବନ୍ତ, ହେ ଭ୍ରାତୃଗଣ

ଯାଇଛି ଲେଖି ସୁଗ୍ରନ୍ଥ ହେ ଭ୍ରାତୃଗଣ । ୭୩ ।

 

ସୁଢ଼ଳଦେବ ସମାନ,

ବଢ଼ାଇଛି କିଏ ମାତା ସମ୍ମାନ, ହେ ଭ୍ରାତୃଗଣ

ରଖି ସଦା ଅଭିମାନ ହେ ଭ୍ରାତୃଗଣ । ୭୪ ।

 

ଗୌରବଚନ୍ଦ୍ର ଗଜପତି,

ଥିଲା ଜନନୀର ନେତ୍ର ସମ୍ପତ୍ତି ହେ ଭ୍ରାତୃଗଣ

ଯାଇଛି ରଖି କୀରତି ହେ ଭ୍ରାତୃଗଣ । ୭୫

 

ବଞ୍ଚିଥିଲେ ପଦ୍ମନାଭ,

ବୁଡ଼ନ୍ତାକି ଦେଶ ଉନ୍ନତି-ନାବ, ହେ ଭ୍ରାତୃଗଣ

ହରାଇ ପୂର୍ବ ପ୍ରଭାବ ହେ ଭ୍ରାତୃଗଣ । ୭୬ ।

 

ସାମନ୍ତ ଚନ୍ଦ୍ରଶେଖର,

ଜ୍ୟୋତିଷମଣ୍ଡଳେ ଦୀପ୍ତ ଭାସ୍କର, ହେ ଭ୍ରାତୃଗଣ

ଅସ୍ତ ସେ ମହାତ୍ମାବର ହେ ଭ୍ରାତୃଗଣ । ୭୭ ।

 

ଯିବା ଦିନୁ ହରିହର,-

ମର୍ଦ୍ଦରାଜ ଖଲ୍ଲିକୋଟ ନୃବର, ହେ ଭ୍ରାତୃଗଣ

ଗଲା ଶୋଭା ଗଞ୍ଜାମର ହେ ଭ୍ରାତୃଗଣ । ୭୮ ।

 

ବଇକୁଣ୍ଠନାଥ ଦେବ,-

ପରି ଦେଶ କାର୍ଯ୍ୟେ ଧନ କେ ଦେବ ହେ ଭ୍ରାତୃଗଣ

‘ନବସମ୍ବାଦ’ କି ହେବ ହେ ଭ୍ରାତୃଗଣ । ୭୯ ।

 

ସାଧୁ ନରସିଂହ ଦାସ,

ଦେଇଥିଲା ଦେଶ ସେବାରେ ଝାସ, ହେ ଭ୍ରାତୃଗଣ

ଗଲା ସେ କରି ହତାଶ ହେ ଭ୍ରାତୃଗଣ । ୮୦ ।

 

ଆହା ରାମଚନ୍ଦ୍ର ଭଞ୍ଜ,

ଗଲା ଦିନୁ ମାତା ହୋଇଲା ଖଞ୍ଜ, ହେ ଭ୍ରାତୃଗଣ

ମ୍ଳାନ ଦିଶେ ମୁଖ-କଞ୍ଜ ହେ ଭ୍ରାତୃଗଣ । ୮୧ ।

 

ଥାଇ ଥାଇ ରାଧାନାଥ,

ଗଲା ଅସମୟେ କରି ଅନାଥ, ହେ ଭ୍ରାତୃଗଣ

ସାହିତ୍ୟ ଦକ୍ଷିଣ ହାତ ହେ ଭ୍ରାତୃଗଣ । ୮୨ ।

 

ଉତ୍କଳ ଭାବ କାନନ,-

ମଧ୍ୟୁ କେ ତୋଳିବ ଭକ୍ତି ସୁମନ, ହେ ଭ୍ରାତୃଗଣ

ନାହିଁ ତ ମଧୁସୂଦନ ହେ ଭ୍ରାତୃଗଣ । ୮୩ ।

 

ଅନେକ ଯୋଗ୍ୟ ନନ୍ଦନ,

ହରାଇ ଜନନୀ କରେ କ୍ରନ୍ଦନ, ହେ ଭ୍ରାତୃଗଣ

କେ କରିବ ପ୍ରବୋଧନ ହେ ଭ୍ରାତୃଗଣ । ୮୪ ।

 

କେତେକ ଯୋଗ୍ୟ ନନ୍ଦନ,

କରିବାରୁ ତାର ଅଙ୍କ ମଣ୍ଡନ, ହେ ଭ୍ରାତୃଗଣ

ଲଭେ ଏବେ ପ୍ରବୋଧନ ହେ ଭ୍ରାତୃଗଣ । ୮୫ ।

 

ଶ୍ରୀ ରାଜେନ୍ଦ୍ର ନାରାୟଣ,

ପାଶ୍ଚାତ୍ୟ ସୁଜ୍ଞାନ କରି ଅର୍ଜନ, ହେ ଭ୍ରାତୃଗଣ

ଲଗାଇଛି କାର୍ଯ୍ୟେ ମନ ହେ ଭ୍ରାତୃଗଣ । ୮୬ ।

 

ବାମଣ୍ଡା ସଚ୍ଚିଦାନନ୍ଦ,

କରିବାକୁ ମାତା ମନ ଆନନ୍ଦ, ହେ ଭ୍ରାତୃଗଣ

ଲେଖେ ପଦ୍ୟାଦି ପ୍ରବନ୍ଧ ହେ ଭ୍ରାତୃଗଣ । ୮୭ ।

 

ତାଳଚେର ନରସାଇଁ,

ଶ୍ରୀ କିଶୋରଚନ୍ଦ୍ର ସ୍ୱଭାଷା ପାଇଁ, ହେ ଭ୍ରାତୃଗଣ

ବାଣ୍ଟେ ପତ୍ରିକା ଛପାଇ ହେ ଭ୍ରାତୃଗଣ । ୮୮ ।

 

ଅଷ୍ଟଦୁର୍ଗ ନରନାହା,

ଦେଖାଏ ସଂସ୍କୃତ ସାହିତ୍ୟ-ରାହା, ହେ ଭ୍ରାତୃଗଣ

ତୋଳି ଉର୍ଦ୍ଧ୍ୱେ ବେନି ବାହା ହେ ଭ୍ରାତୃଗଣ । ୮୯

 

ଗଜପତି କୃପାମୟ,

ଜନନୀର ଅଟେ ଯୋଗ୍ୟ ତନୟ ହେ ଭ୍ରାତୃଗଣ

ଶିକ୍ଷାର୍ଥେ କରଇ ବ୍ୟୟ ହେ ଭ୍ରାତୃଗଣ । ୯୦ ।

 

ଧରାକୋଟ ନରରାଣ,

ରାଜ ଦ୍ୱାରେ କରେ ଦୁଃଖ ବଖାଣ, ହେ ଭ୍ରାତୃଗଣ

ଢାଳି ମନ ଧନ ପ୍ରାଣ ହେ ଭ୍ରାତୃଗଣ । ୯୧ ।

 

ବୟସେ ହେଲେହେଁ ସାନ,

କୃଷ୍ଣଚନ୍ଦ୍ର-ଗଜପତି ମହାନ, ହେ ଭ୍ରାତୃଗଣ

ବାଢ଼ିଛି ବିପୁଳ ଦାନ ହେ ଭ୍ରାତୃଗଣ । ୯୨ ।

 

ରାଜେନ୍ଦ୍ର ରାଧାମୋହନ,

ସାହିତ୍ୟ ସେବାରେ ଅର୍ପିଛି ମନ, ହେ ଭ୍ରାତୃଗଣ

ଉପାର୍ଜି ଜ୍ଞାନ ରତନ ହେ ଭ୍ରାତୃଗଣ । ୯୩ ।

 

ମଞ୍ଜୁଷା ନବୀନ ରାଜ,

ଶ୍ରୀନିବାସ ଦେବ କରେ ସୁକାର୍ଯ୍ୟ, ହେ ଭ୍ରାତୃଗଣ

ଚିହ୍ନି ସ୍ୱକୀୟ ସମାଜ ହେ ଭ୍ରାତୃଗଣ । ୯୪ ।

 

ଟେକାଲି ରାଜନନ୍ଦନ

ଲକ୍ଷ୍ମୀନାରାୟଣ କରେ ଯତନ, ହେ ଭ୍ରାତୃଗଣ

ତୋଷିବାକୁ ମାତା ମନ ହେ ଭ୍ରାତୃଗଣ । ୯୫ ।

 

ଶ୍ରୀ ଚକ୍ରପାଣି ସାମନ୍ତ,

ଦେଶ ହିତ ଚିନ୍ତା କରେ ସତତ ହେ ଭ୍ରାତୃଗଣ

ଦେଶ କାର୍ଯ୍ୟ ହୋଇ ରତ, ଭ୍ରାତୃଗଣ । ୯୬ ।

 

ସି, ଆଇ, ଇ ମଧୁଦାସ,

କରିଦେବ ମାତା କ୍ଳେଶ ବିନାଶ, ହେ ଭ୍ରାତୃଗଣ

ଲାଗିଛି ନୋହି ଉଦାସ ହେ ଭ୍ରାତୃଗଣ । ୯୭ ।

 

ଅନରେବଲ ସୁଦାମ,

କରେ ଦେଶପାଇଁ ବହୁତ କାମ, ହେ ଭ୍ରାତୃଗଣ

ନ ଭଜି କ୍ଷଣେ ବିଶ୍ରାମ ହେ ଭ୍ରାତୃଗଣ । ୯୮ ।

 

ଶୁଝୁଛି ଋଣ ମାତାର,

ଗଉରୀଶଙ୍କର କରି ବିଚାର, ହେ ଭ୍ରାତୃଗଣ

କରେ ‘ଦୀପିକା’ ପ୍ରଚାର ହେ ଭ୍ରାତୃଗଣ । ୯୯ ।

 

ବ୍ୟାସ ଫକୀର ମୋହନ,

ଭାରତୀ ଆଶ୍ରମେ କରି ସଦନ, ହେ ଭ୍ରାତୃଗଣ

କରୁଛି ଯୋଗ ସାଧନ, ହେ ଭ୍ରାତୃଗଣ । ୧୦୦ ।

 

ସାହିତ୍ୟର କଳେବର,

ବୃଦ୍ଧି କରୁଅଛି ରାମଶଙ୍କର, ହେ ଭ୍ରାତୃଗଣ

ହୋଇ ସେ ନିଃସ୍ୱାର୍ଥପର ହେ ଭ୍ରାତୃଗଣ । ୧୦୧ ।

 

କି ମଧୁର ମଧୁ ନାମ,

ସାହିତ୍ୟ ସମାଜେ କରୁଛି କାମ, ହେ ଭ୍ରାତୃଗଣ

ଆଚରେ ବ୍ରତ ନିଷ୍କାମ ହେ ଭ୍ରାତୃଗଣ । ୧୦୨ ।

 

ସାଧୁ ଶ୍ରୀ ଚନ୍ଦ୍ରମୋହନ,

ମଣ୍ଡିଛି ଉତ୍କଳ ଶିକ୍ଷା-ଗଗନ, ହେ ଭ୍ରାତୃଗଣ

ମନୁଷ୍ୟ କରେ ଗଠନ ହେ ଭ୍ରାତୃଗଣ । ୧୦୩ ।

 

ଶ୍ରୀ ବ୍ରଜସୁନ୍ଦର ଦାସ

ସାଟୋପେ ‘ମୁକୁର’ କରି ପ୍ରକାଶ ହେ ଭ୍ରାତୃଗଣ

ମାତାକୁ ଅର୍ପେ ଆଶ୍ୱାସ ହେ ଭ୍ରାତୃଗଣ । ୧୦୪ ।

 

ନୀଳମଣି ବିଦ୍ୟାରତ୍ନ,

ଅଟଇ ସାହିତ୍ୟ ରଙ୍କଣି-ରତ୍ନ, ହେ ଭ୍ରାତୃଗଣ

ଦେଶ କାର୍ଯ୍ୟେ କରେ ଯତ୍ନ ହେ ଭ୍ରାତୃଗଣ । ୧୦୫ ।

 

ଉତ୍କଳ ସାହିତ୍ୟ ଲାଗି,

ବିଶ୍ୱନାଥ କର କାର୍ଯ୍ୟରେ ଲାଗି ହେ ଭ୍ରାତୃଗଣ

କରେ ଯତ୍ନ ଜାଗି ଜାଗି ହେ ଭ୍ରାତୃଗଣ । ୧୦୬ ।

 

ମହାମହୋପାଧ୍ୟାୟ,

ସଦାଶିବ କରି ଅଧ୍ୟବସାୟ, ହେ ଭ୍ରାତୃଗଣ

ସାଧେ ମଙ୍ଗଳ ଉପାୟ ହେ ଭ୍ରାତୃଗଣ । ୧୦୭ ।

 

ବକ୍ତା ଗୋପବନ୍ଧୁ ଦାସ,

କରେ ଦେଶଲାଗି ବ୍ରତୋପବାସ, ହେ ଭ୍ରାତୃଗଣ

ଭକ୍ତିରେ ରଖି ବିଶ୍ୱାସ ହେ ଭ୍ରାତୃଗଣ । ୧୦୮ ।

 

ଗୋପାଳଚନ୍ଦ୍ର ଓକିଲ,

ଗଳ୍ପ ଲେଖାଭାବ କେ ନ ଚିହ୍ନିଲ, ହେ ଭ୍ରାତୃଗଣ

ଥରେ ହେଲେ ନ ଭାବିଲ ହେ ଭ୍ରାତୃଗଣ । ୧୦୯ ।

 

ବିଶ୍ୱନାଥ ମିଶ୍ର ଜଣେ,

ମାତାର ସାହସୀ ସନ୍ତାନ ପଣେ, ହେ ଭ୍ରାତୃଗଣ

ସ୍ୱଦେଶ କୋଷ୍ଠୀ ସେ ଗଣେ ହେ ଭ୍ରାତୃଗଣ । ୧୧୦ ।

 

ଅଟେ ହରିହର ପଣ୍ଡା,

ଜନନୀ ପୂଜାକୁ ପ୍ରକୃତ ପଣ୍ଡା ହେ ଭ୍ରାତୃଗଣ

ତା’ ସମ ଲୋଡ଼ା ଦ୍ୱିଗଣ୍ଡା ହେ ଭ୍ରାତୃଗଣ । ୧୧୧ ।

 

ଗୋରାଚନ୍ଦ ମାନଧାତା,

ସୁସନ୍ତାନେ ଦେଇ ଅଛି ବିଧାତା, ହେ ଭ୍ରାତୃଗଣ

ଦିନେ ସୁଖୀ ହେବ ମାତା ହେ ଭ୍ରାତୃଗଣ । ୧୧୨ ।

 

ସମାଜ ସଂସ୍କାର ଲାଗି,

ଅଛିତ ଶ୍ରୀମତ୍ସ ପଣ୍ଡାଟି ଜାଗି, ହେ ଭ୍ରାତୃଗଣ

ହୋଇ ଅତି ଅନୁରାଗୀ ହେ ଭ୍ରାତୃଗଣ । ୧୧୩ ।

 

ତାରିଣୀ ଚରଣ ରଥ,

ପୂର୍ଣ୍ଣ କରିବାକୁ ସ୍ୱ ମନୋରଥ, ହେ ଭ୍ରାତୃଗଣ

ଖୋଜେ ଦେଶୋନ୍ନତି ପଥ ହେ ଭ୍ରାତୃଗଣ । ୧୧୪ ।

 

ଶ୍ରୀ ମଧୁସୂଦନ ପାଣି-

ଗ୍ରାହୀ ଦେଶ କାର୍ଯ୍ୟ କରୁଛି ଜାଣି, ହେ ଭ୍ରାତୃଗଣ

ପାଳ ଜନନୀର ବାଣୀ ହେ ଭ୍ରାତୃଗଣ । ୧୧୫ ।

 

ଗଣେଶ ମହାପାତର,

ଜପ କରେ ଏକତାର ମନ୍ତର, ହେ ଭ୍ରାତୃଗଣ

ରଖିବ ଟେକ ଦେଶର ହେ ଭ୍ରାତୃଗଣ । ୧୧୬ ।

 

ସଂସ୍କୃତ ପଣ୍ଡିତ ପଣ,

ରଖି ଗଦାଧର ବିଦ୍ୟାଭୂଷଣ, ହେ ଭ୍ରାତୃଗଣ

ଗଢ଼େ ସାହିତ୍ୟ ଭୂଷଣ ହେ ଭ୍ରାତୃଗଣ । ୧୧୭ ।

 

ଦ୍ୱିଜ ଗୋପୀନାଥ ନନ୍ଦ,

ମାତୃଭାଷାକୁ ସେ କରେ ପସନ୍ଦ, ହେ ଭ୍ରାତୃଗଣ

ହେବାକୁ ମାତା ଆନନ୍ଦ ହେ ଭ୍ରାତୃଗଣ । ୧୧୮ ।

 

ପାରଳାର ବକ୍ତାପଣେ,

ଅପର୍ଣ୍ଣା ପଣ୍ଡାଟି ଅଛଇ ଜଣେ, ହେ ଭ୍ରାତୃଗଣ

ଦେଶ କାର୍ଯ୍ୟ ସୁଖ ମଣେ ହେ ଭ୍ରାତୃଗଣ । ୧୧୯ ।

 

ବିପ୍ର ଅପର୍ଣ୍ଣା ପରୀକ୍ଷା,

ନାଟକ ପ୍ରଚାରି ଦିଏ ସୁଶିକ୍ଷା, ହେ ଭ୍ରାତୃଗଣ

ସ୍ମରି ଆର୍ଯ୍ୟଙ୍କର ଦୀକ୍ଷା ହେ ଭ୍ରାତୃଗଣ । ୧୨୦ ।

 

ପାରଳା ନବଯୁବକ,-

ନେତା ନିତ୍ୟାନନ୍ଦ ପଟ୍ଟନାୟକ, ହେ ଭ୍ରାତୃଗଣ

ଅଟେ ଉନ୍ନତି ଶିକ୍ଷକ ହେ ଭ୍ରାତୃଗଣ । ୧୨୧ ।

 

ପୂଜୁଛି ବାଣୀ ଚରଣ,

ବିପ୍ର ସଦାଶିବ ବିଦ୍ୟାଭୂଷଣ, ହେ ଭ୍ରାତୃଗଣ

ଅର୍ପିତ ମନ-ସୁମନ ହେ ଭ୍ରାତୃଗଣ । ୧୨୨ ।

 

ପ୍ରବୀଣ ଶଶୀଭୂଷଣ,

କରୁଛି ସାହିତ୍ୟ କ୍ଷେତ୍ର କର୍ଷଣ ହେ ଭ୍ରାତୃଗଣ

ମାତାର ଯୋଗ୍ୟ ନନ୍ଦନ ହେ ଭ୍ରାତୃଗଣ । ୧୨୩ ।

 

ଧନ୍ୟ ମୃତ୍ୟୁଞ୍ଜୟ ରଥ,

ଦେଖାଏ ସେ ପ୍ରତ୍ନତତ୍ତ୍ୱର ପଥ, ହେ ଭ୍ରାତୃଗଣ

ସେ କାର୍ଯ୍ୟ ଅତିମହତ ହେ ଭ୍ରାତୃଗଣ । ୧୨୪ ।

 

ଦେବାନ ଶ୍ରୀ ଦାମୋଦର,

କରଣକୁଳର ସିତ ଭାସ୍କର, ହେ ଭ୍ରାତୃଗଣ

ଲେଖା ତା’ ବଡ଼ ସୁନ୍ଦର ହେ ଭ୍ରାତୃଗଣ । ୧୨୫ ।

 

ପଣ୍ଡିତ ରାମତାରକ,

‘ନବସମ୍ବାଦ’ର ଦକ୍ଷ ଚାଳକ, ହେ ଭ୍ରାତୃଗଣ

କର୍ତ୍ତବ୍ୟ ପାଳେ କାଳକ ହେ ଭ୍ରାତୃଗଣ । ୧୨୬ ।

 

‘ବାହିକା’ର ପ୍ରିୟନାଥ,

ସ୍ୱଦେଶ ସେବାରେ ଅର୍ପିଛି ହାତ, ହେ ଭ୍ରାତୃଗଣ

ଜୀବନ ତାହାର ସାର୍ଥ ହେ ଭ୍ରାତୃଗଣ । ୧୨୭ ।

 

ସାହିତ୍ୟରେ ଧୂରନ୍ଧର,

ବଳଭଦ୍ରଦେବ ବଡ଼ କୁମାର, ହେ ଭ୍ରାତୃଗଣ

ଅର୍ଜୁଛି ଯଶ ବିସ୍ତର ହେ ଭ୍ରାତୃଗଣ । ୧୨୮ ।

 

ଗଙ୍ଗାଧର ମେହେରର,

ଲେଖନୀ ଶକତି କି ମନୋହର, ହେ ଭ୍ରାତୃଗଣ

ଲେଖାରେ ନାହିଁ ତା’ ତର ହେ ଭ୍ରାତୃଗଣ । ୧୨୯ ।

 

ବାମଣ୍ଡା ଗଡ଼ନାୟକ,

‘ହିତୈଷିଣୀ’ ପତ୍ରିକାର ଚାଳକ, ହେ ଭ୍ରାତୃଗଣ

କରୁଛି ନାମ ସାର୍ଥକ ହେ ଭ୍ରାତୃଗଣ । ୧୩୦ ।

 

‘ସେବକ’ର ସମ୍ପାଦକ,

ମିଶ୍ର ବ୍ରଜବନ୍ଧୁ ପଦ୍ୟ ଲେଖକ, ହେ ଭ୍ରାତୃଗଣ

ଅଟେ ସେ ଗୁଣଗ୍ରାହକ ହେ ଭ୍ରାତୃଗଣ । ୧୩୧ ।

 

କରେ ଦେଶ ଉପକାର,

ଭାଗୀରଥୀ ଶର୍ମା ପଦ୍ୟାଳଙ୍କାର, ହେ ଭ୍ରାତୃଗଣ

କରି ‘ବାସିନୀ’ ପ୍ରଚାର ହେ ଭ୍ରାତୃଗଣ । ୧୩୨ ।

 

ଅନ୍ନପୂର୍ଣ୍ଣା ସୁଲୋଚନା,

ପ୍ରକାଶୁ ଅଛନ୍ତି ସମବେଦନା, ହେ ଭ୍ରାତୃଗଣ

ମାତାକୁ ଦେଖି ବିମନା ହେ ଭ୍ରାତୃଗଣ । ୧୩୩ ।

 

ଲେଖନ ନନ୍ଦକିଶୋର-

ବଳ ଲେଖା ବଳ ନୁହେଁ ପାଶୋର, ହେ ଭ୍ରାତୃଗଣ

ସଦାଥାଉ ସେ କିଶୋର ହେ ଭ୍ରାତୃଗଣ । ୧୩୪ ।

 

ନୀଳକଣ୍ଠ, ଗୋଦାବରୀ,

ଦେଶ ହିତ ବ୍ରତ ପାଳନ କରି, ହେ ଭ୍ରାତୃଗଣ

ରହିଛନ୍ତି ତ୍ୟାଗୀ ପରି ହେ ଭ୍ରାତୃଗଣ । ୧୩୫ ।

 

ଥାଉ ଚିନ୍ତାମଣି ବଞ୍ଚି,

ଧରିଣ ସାହିତ୍ୟ ଭଣ୍ଡାର କଞ୍ଚି, ହେ ଭ୍ରାତୃଗଣ

ଗ୍ରନ୍ଥ-ରତ୍ନ ଦେବ ସଞ୍ଚି ହେ ଭ୍ରାତୃଗଣ । ୧୩୬ ।

 

ଧିକ ଧିକ ମୋ ଜୀବନ,

ନ ସେବିଲି ଯାହା ମାତୃଚରଣ, ହେ ଭ୍ରାତୃଗଣ

ଧିକ ମୋର ଆଚରଣ ହେ ଭ୍ରାତୃଗଣ । ୧୩୭ ।

 

ଜନନୀର କୁସନ୍ତାନ,-

ବୋଲି ହେବ ମୋର ଚିର ଆଖ୍ୟାନ, ହେ ଭ୍ରାତୃଗଣ

ନାହିଁ ସମୀଚିନ ଜ୍ଞାନ ହେ ଭ୍ରାତୃଗଣ । ୧୩୮ ।

 

ସ୍ୱଦେଶ ହିତ ସାଧନ,-

ପାଇଁ ନାହିଁ ଉପାଦାନାଦି ଧନ, ହେ ଭ୍ରାତୃଗଣ

ଅସାର୍ଥ ହେଲା ଜୀବନ ହେ ଭ୍ରାତୃଗଣ । ୧୩୯ ।

 

ମାତା ନେତ୍ରୁଁ ଅଶ୍ରୁଜଳ,

ପୋଛିବାକୁ ମୋର ନାହିଁ ତ ବଳ, ହେ ଭ୍ରାତୃଗଣ

ମୋ ଜନ୍ମ ଅଟେ ବିଫଳ ହେ ଭ୍ରାତୃଗଣ । ୧୪୦ ।

 

କ୍ଷଣେ ଦେଶହିତ ପାଇଁ,

ଭାବିବାକୁ ମୋର ଶକତି ନାହିଁ, ହେ ଭ୍ରାତୃଗଣ

ଜନ୍ମିଲି ମୁହିଁ କିପାଇଁ ହେ ଭ୍ରାତୃଗଣ । ୧୪୧ ।

 

ଜନମ ଭୂମିର ଋଣ,

ଶୁଝିବାକୁ କାହିଁ ମୋର ସୁଗୁଣ, ହେ ଭ୍ରାତୃଗଣ

ଅଟେ ମୁହିଁ ନ୍ୟୁନ ହେ ଭ୍ରାତୃଗଣ । ୧୪୨ ।

 

ହୃଦୟାବେଗ ବଶତଃ,

ଲେଖିଦେଲି କେତେ କଥା ଏମନ୍ତ, ହେ ଭ୍ରାତୃଗଣ

ଘେନ ଯା ଅଟେ ସଙ୍ଗତ ହେ ଭ୍ରାତୃଗଣ । ୧୪୩ ।

 

ଅଟେ ମୁହିଁ ହୀନ ଅତି,

ଜନନୀ ସେବାରେ ନାହିଁ ତ ମତି, ହେ ଭ୍ରାତୃଗଣ

କେମନ୍ତେ ଲଭିବି ଗତି ହେ ଭ୍ରାତୃଗଣ । ୧୪୪ ।

 

ସୁଜ୍ଞାନ ପାଇବି କାହୁଁ,

ପୂଜିବାକୁ ମାତା ପଦ କଠାଉ, ହେ ଭ୍ରାତୃଗଣ

ନ ଦିଶେ ଧୀ ରାହା ଆଉ ହେ ଭ୍ରାତୃଗଣ । ୧୪୫ ।

 

କି ଗୁଣେ ଜନନୀ ମନ,

ତୋଷି ବୋଲାଇବି ଯୋଗ୍ୟନନ୍ଦନ, ହେ ଭ୍ରାତୃଗଣ

ନାହିଁ କିଛି ବିଦ୍ୟା ଧନ ହେ ଭ୍ରାତୃଗଣ । ୧୪୬ ।

 

କବି ବୋଲାଇବା ପାଇଁ,

ଭାବି ମୁହିଁ ଏକା ପ୍ରକାଶି ନାହିଁ ହେ ଭ୍ରାତୃଗଣ

ସେ ଶକ୍ତି ବା ମୋର କାହିଁ ହେ ଭାତୃଗଣ । ୧୪୭ ।

 

କ୍ଷମାକର ଥିଲେ ଦୋଷ,

ମନେ ଭ୍ରାତୃପ୍ରେମ ଭାବକୁ ପୋଷ, ହେ ଭ୍ରାତୃଗଣ

ବହି ପରମ ସନ୍ତୋଷ ହେ ଭ୍ରାତୃଗଣ । ୧୪୮ ।