ତପୋବନ

ତପୋବନ

ରାଜା ହରିଚନ୍ଦନ ଜଗଦେବ

 

ବିଷୟ

ପ୍ରତିଭା

ଶ୍ମଶାନ

ସୁଖ

ସାଧନା

ଚିନ୍ତା

କାମ

କ୍ରୋଧ

ଆଶା

ଉତ୍କଳ କବି

ଅମର କବି

କୃତଜ୍ଞତା

ପୀଡ଼ା

ଜନ୍ମଭୂମି

ପ୍ରଭୁତ୍ୱ

ପୌରୁଷ

ଉବ୍ଦୋଧନ

ସମ୍ପତ୍ତି

ତପୋବନ

 

 

 

 

ପ୍ରତିଭା

ଅନାଦର-ରାହୁ ଗ୍ରାସେ ପ୍ରତିଭା-ଚନ୍ଦ୍ରମା,

ହୀନପ୍ରଭ ହୋଇଯାଏ ହରାଇ ସୁଷମା ।

ଉତ୍କଳେ ବହୁ ପ୍ରତିଭା-ବ୍ରତତୀ ବଉଳି,

ଆଦର-ବାରି ଅଭାବେ ଯାଉଛି ମଉଳି ।

 

ଆଶ୍ରୟ ଅବଲମ୍ବନ ବ୍ୟତୀତ ନିଶ୍ଚିତ,

ପ୍ରତିଭା-ପ୍ରସୂନ କେବେ ନୁହେ ପ୍ରସ୍ଫୁଟିତ ।

ଆଦର ସାହିତ୍ୟସେବୀ ପାଇଥାଏ ଯେତେ,

ତା ରଚନା ପରିପାଟୀ ହୋଇଥାଏ ତେତେ ।

 

ସାହିତ୍ୟ-ସଂସାରେ ଧନୀ ନକରେ ପ୍ରବେଶ,

ନିର୍ଦ୍ଧନୀ ସାହିତ୍ୟସେବା ବିଦିତ ବିଶେଷ ।

ଧନୀ ମନ ନାନାଦିଗେ ହୁଏ ପ୍ରଧାବିତ,

ସେହିଯୋଗୁଁ ଧନୀ କବି ସଂଖ୍ୟା କଥଞ୍ଚିତ ।

 

 

 

 

ଶ୍ମଶାନ

ଶ୍ମଶାନ ତୋ ବାହ୍ୟଭାବ ଅତୀବ ଭୀଷଣ,

ନିର୍ଜନତା ପ୍ରିୟସ୍ଥଳୀ ତୁହି ଅନୁକ୍ଷଣ ।

ମାନବକୁ ଶେଷକାଳେ ଦେଖି ନିରାଶୟ,

ନେଇ ନିଜ କୋଳେ ତାକୁ ଦେଉ ତୁ ଅଭୟ ।

 

ତେଜନ୍ତି ଅନ୍ତିମଯାମେ ଅତୟ ନିକର,

ମାତ୍ର ତୁହି ରଖୁ ପ୍ରେମେ କରି ସମାଦର ।

ତୋ ସ୍ୱର୍ଗୀୟ ଗୁଣ କେହି ନ ବୁଝନ୍ତି ଲବେ,

ଜ୍ଞାନୀ ପୁଣି ଯୋଗୀ ଏକା ବୁଝନ୍ତି ତା ଭବେ ।

 

ନାହିଁ ତୋହଠାରେ ଉଚ୍ଚ ନୀଚ ଭେଦ ଜ୍ଞାନ,

ସମଭାବେ ସମସ୍ତଙ୍କୁ କରୁ ତୁ ସମ୍ମାନ ।

ପବିତ୍ର ହୃଦୟେ ତୋର କି ଅଛି ଉପମା,

ସ୍ୱରଗର ସ୍ୱର୍ଗ ତୁହି ମର୍ତ୍ତ୍ୟର ସୁଷମା ।

 

ନର ନାରୀ ତୋ ବାତ୍ସଲ୍ୟ ଗୁଣରେ ସ୍ୱଭାବେ,

ହୋଇ ଯାନ୍ତି ଚିରାଧୀନ ଭ୍ରାତୃ ଭଗ୍ନୀଭାବେ ।

ତୋହର ମହିଁମାମାନ ଅଟେ ଚମତ୍କାର,

ପାରିବି ବା କାହୁଁ ଜାଣି ମୁହିଁ ହୀନ ଛାର ।

 

ସୁଖ

ସୁଖ ନୁହେଁତ ଅମୃତ ଅଟେ ହଳାହଳ,

ବୁଝିଲ ସେ ଇନ୍ଦ୍ରଜାଲ ପ୍ରକାର କେବଳ ।

ଦୁଃଖ ମୋର ଚିରସଖା ଦୁଃଖେ ଅଛି ଭଲ,

ସୁଖ ସିନା କ୍ଷଣପ୍ରଭା ନ୍ୟାୟ ଝଲମଲ ।

 

ଆଗନ୍ତୁକ ପରି ସୁଖ ଆସି କ୍ଷଣେ ରହି,

ଆପ୍ୟୟିତ କରିଯାଏ ନିଜେ ତୋଷ ବହି ।

ଦେବାକୁ ଚରଣ ରଜ ଦରିଦ୍ରର କୁଟି,

ସୁଖ ଆସି ଶୀଘ୍ର ଯାଏ ମାରିଣ ଭ୍ରୁକୁଟି ।

 

ନେତ୍ରେବାରି ରୋଧି କରେ ତାର ଅଭ୍ୟର୍ଥନା,

କିପରି ଅଦୃଶ୍ୟ ହୁଏ ଏ ଏକା ଭାବନା ।

ଚକ୍ଷୁ ଜଳ ଦେଖି ସୁଖ ପଳାଏ ଘୃଣାରେ,

ଦୁଃଖମାତ୍ର ସୁଖେ ଦୁଃଖେ ରଖେ କରୁଣାରେ ।

 

ଛାଇ ତୁଲ୍ୟ ଲାଗିଥାଏ ଦୁଃଖ ମୋ ପଛରେ,

ପ୍ରଭୁ ଅନୁଗତ ସଦା ଯଥା ଅନୁଚରେ ।

ସୁଖେ ମୁହିଁ ନୁହେଁ ସୁଖୀ ଦୁଃଖଟି ମୋ ପ୍ରିୟ,

ସୁଖାପେକ୍ଷା ଦୁଃଖ ମୋର ପ୍ରାତଃସ୍ମରଣୀୟ ।

 

ସାଧନା

ଆମ୍ଭେମାନେ ଯେ ସାଧନା କରିବା ଯେମନ୍ତ,

ସିଦ୍ଧ ହୋଇ ପ୍ରତିଫଳ ଫଳିବ ତେମନ୍ତ ।

ଅଧ୍ୟବସାୟ ସୁଦୃଢ଼ ପ୍ରତିଜ୍ଞା ପ୍ରଭାବେ,

ଦଗ୍ଧକରୁଁ ସୁସମୟ କୁବ୍ୟାପନ-ଦାବେ ।

 

ଇର୍ଷିତ କର୍ତ୍ତବ୍ୟପଥେ ଘଟେ ଯଦି ବିଘ୍ନ,

ନିଶ୍ଚେଷ୍ଟ ହୋଇଣ ବସୁଁ ହୋଇ ବୁଦ୍ଧିହୀନ ।

କେଉଁ ବିପଦ ବା ବାଧା ହୋଇଲେ ବିବୃତ,

ସଂକଳ୍ପ ଅଳ୍ପକେ ମନୁ ହୁଅଇ ବିସ୍ମୃତ ।

 

ପର ବିଭୀଷିକା ବାକ୍ୟେ ସାହସ ଆମ୍ଭର,

ହୋଇଯାଏ ବିଲୋପିତ ଛାଡ଼ି ହୃଦ-ଘର ।

ଆମ୍ଭର ଶକ୍ତି କିଞ୍ଚିତ ସମୟର ପାଇଁ,

ପ୍ରକାଶ ପାଇଣ ଗୁଣ ଯାଏ ସେ ଉଭାଇ ।

ଏକ ବିଷୟରେ ଦୀର୍ଘକାଳ ଆମ୍ଭ ଚିତ୍ତ,

ରହେ ନାହିଁ ସ୍ଥିରଭାବେ ହୋଇଣ ନିଶ୍ଚିତ ।

 

ଚିନ୍ତା

ଚିନ୍ତା ତୁହି ଚିତାଠାରୁ ବଡ଼ ଭୟଙ୍କର,

ଚିତା କ୍ଷଣେ ଦହେ ତୁହି ଦହୁ ନିରନ୍ତର ।

ଚିତା ଥରେ ମାତ୍ର ଦହ୍ୟ କରେ ଶ୍ମଶାନରେ,

ଚିନ୍ତାଲୋ ତୁ ଦହୁଥାଉ ସତତ ଅନ୍ତରେ ।

 

ନିର୍ଜୀବ ଦହିବା ଶକ୍ତି ଅଛିତ ଚିତାର,

ମାତ୍ର ତୁ ସଜୀବେ ଦଗ୍ଧ କରୁ ବାରମ୍ବାର ।

ଅନାହୂତେ ବଳେ ବଳେ କୁଚିନ୍ତା ପ୍ରବେଶି,

ହୃଦୟ-ଆବାସେ ବସି ଦେଉ ପେଶୀ ପେଷି ।

 

ମୁକୁଟଧାରୀ କୁଟୀର-ବାସୀ ସମଭାବେ,

ଦଗ୍ଧୀଭୂତ ହୁଅନ୍ତି ତୋ ଯନ୍ତ୍ରଣାର ଦାବେ ।

ଛାଡ଼ିନାହୁଁ କାହାକୁଲୋ ନକରି ଅଶନ,

ତୋହର ପ୍ରଭୁତ୍ୱ ଯୋଗେ ନାହିଁ ଆଶ୍ୱାସନ ।

 

ଧନ୍ୟ ଧନ୍ୟ ତୋ ମହିଁମା ଧନ୍ୟ ତୋ ଶକତି,

କିକାରଣେ ସୃଷ୍ଟିହେଲା ତୋ ଏ କୁମୂରତି ।

ଘେନି ମୋ ବିନିତି ସ୍ତୁତି ଶତ ଶତ ଥର,

ଈଷିତ ମାତ୍ର ମୋ ମୁନୁ ହୋଇଯା ଅନ୍ତର ।

 

ବଳତ୍କାରେ ତୋ ରାଜତ୍ୱ କରିଣ ବିସ୍ତାର,

ସଂସାର ମଧ୍ୟରେ ତୁହି ହୋଇଲୁ ଦୁର୍ଦ୍ଦାର ।

ଦୟା ଦାକ୍ଷିଣ୍ୟାଦି ନାହିଁ ତୋହରି କିଞ୍ଚିତ,

ବିନଶ୍ୱର ଜଗତରେ କରୁ ତୁ ବଞ୍ଚିତ ।

 

ଚିନ୍ତା ଲୋ ମାଗୁଣି ତୋତେ ଏତିକି ମାତର,

ଆଉ ମୋର ଅନ୍ତର୍ଗତେ କର ନାହିଁ ଘର ।

 

କାମ

ରେ ଦୁର୍ନୀତ କାମ ତୋର ଶାମ୍ବରୀ ଶାସନ,-

ବଶରେ ହୁଅନ୍ତି ସର୍ବ ପ୍ରାଣୀ ଅବସନ୍ନ ।

ତୋହର ଅଗମ୍ୟସ୍ଥଳ ନାହିଁ ଏ ଜଗତେ;

ରଖିଅଛୁ ସମସ୍ତଙ୍କୁ ଆପଣା ଆୟତେ ।

 

ଯୋଗବଳେ କେତେ କେତେ ମହା ଯୋଗୀବର,

ତୋତେ ଦମି ନ ପାରିଣ ସଦା ହରବର ।

ଯୌବନ ଅଟଇ ତୋର ମୁଖ୍ୟ କର୍ମଚାରୀ,

ପୁଣି ପଞ୍ଚମକାର ତୋ ସଦା ଆଜ୍ଞାକାରୀ ।

 

ସତ୍ୱ-ଧର୍ମ-ସରଣୀର କଣ୍ଟକେ ତୁ ଲେଖା,

ତୁ ନଥିଲେ ସ୍ୱର୍ଗ ମର୍ତ୍ତ୍ୟ ହୋଇଥାନ୍ତା ଏକା ।

ତୋହରି କୁହୁକେ ଯେହୁ ପ୍ରବର୍ତ୍ତେ ଯେତିକି,

ପ୍ରବୃତ୍ତ କରାଉ କ୍ରମେ ତାକୁ ତୁ ତେତିକି ।

 

ଅବିବେକ ପ୍ରଭୁପଣ ତୋର ସହଚର,

ତାହାରି ସହାୟେ ତୁ ଶାସିପାରୁ ମରମର ।

ତୁହି ଏକା ଦୃଢ଼ଗ୍ରନ୍ଥି ଭବ ବନ୍ଧନର,

ଯୋଗମାୟାର ତୁ ଏକା ପ୍ରଧାନ ଆକର ।

 

ଚଞ୍ଚଳ କ୍ଷଣିକା ପରି ତୋର ବିଭୀଷିକା,

ଶମନ ଶାସନ ଯନ୍ତ୍ର ତନ୍ତ୍ରର ଜୀବିକା ।

ଜରା ଶୋକ ବ୍ୟାଧି ପୁଣି ଜନମ ମରଣ,

ଭବେ ସର୍ବ ଜଞ୍ଜାଳର ତୁ ସିନା କାରଣ ।

ନର ନାରୀ ପିପିଲିକା ପଶୁ ଆଦି କରି,

ସମଭାବେ ନଚାଉ ତୁ ପୁତ୍ତଳିକା ପରି ।

ତୋ ଆଦେଶେ ଲଜ୍ଜାଭୟ ହୁଏ ତିରୋହିତ,

ପରାପର ଭାବ ଆଉ ନ ରହେ ବଞ୍ଚିତ ।

 

ଧିକ ଧିକ କାମ ତୁହି ଅତୀତ ଅସାର,

ସଂସାରରେ ତୋ ହାବୁଡ଼ୁ ରକ୍ଷାନାହିଁ, କାର ।

 

କ୍ରୋଧ

ଆରେ କ୍ରୋଧ ତୁ ନଶ୍ୱର ବିଶ୍ୱ ସହଚର,

କରିଦେଉ ମାନବର ପ୍ରାଣ ହୀନତର ।

ସୁଧାରତ୍ୱ ସଚରିତ୍ର ପ୍ରତି ତୁ ପକ୍ଷ;

ହରାନ୍ତି କୁହୁକେ ତୋର ସର୍ବେ ଆତ୍ମଲକ୍ଷ୍ମ ।

 

ତୋଶାମ୍ବରୀ ଶାସନ ଯେ ଅଛି ଅତିକ୍ରମି,

ସାର୍ଥକତା ଭାବ ସେହୁ ପ୍ରକୃତ ସଞ୍ଜମୀ ।

କେତେ ପ୍ରାଣୀ ମହାପ୍ରାଣୀ ତୋହର ସଂସ୍ରବେ,

ସନ୍ତରନ୍ତି ଭୟଙ୍କର ପାପ-ମହାର୍ଣ୍ଣବେ ।

 

ତୋ ସମ ମଦିରା ନାହିଁ ଅଜ୍ଞାନ ବିବଶା,

କ୍ଷଣାନ୍ତେ ମାଦକ ଘାରେ ତୁ ଘାରୁ ସହସା ।

ତୋହର ସମ୍ପର୍କ ଯଦି ନଥାନ୍ତା ଏ ଭବେ,

ଅମରତ୍ୱ ଲଭୁଥାନ୍ତେ ସକଳ ମାନବେ ।

 

ମନ ସଙ୍ଗରେ ମିଳିତ ହୋଇ ଯାଉ ଯେବେ,

ଅପହୃତ ହୁଏ ଆତ୍ମା ଜ୍ଞାନ ଯେବେ ତେବେ ।

କହ କହ କ୍ରୋଧ ମୋତେ କାହିଁ ତୋରସ୍ଥିତି,

କାହୁଁ ଆସି ଉପସ୍ଥିତ ହେଉ ତୁ ଝଟିକି ।

 

ପ୍ରାଣାଧିକ ପ୍ରିୟବସ୍ତୁ ନିମେଷମାତରେ,

ତୋ ପ୍ରବେଶେ ବିପରୀତ ଭାବାକାର ଧରେ ।

କଳହ-ତରୁର ମୂଳ ଅଟୁ ତୁ କେବଳ,

ତୋର ମୋହ ଯୋଗେ ସୁଧା ପାଲଟେ ଗରଳ ।

 

ତୋ ପ୍ରଭୁତ୍ୱ ବଳେ କେତେ ଦେଶ ସୁମହତ,

ମରୁଭୂମି ଶ୍ମଶାନରେ ହୁଏ ପରିଣତ ।

ନଥାନ୍ତା ନଥିଲେ ତୁହି ଶତ୍ରୁତ୍ୱ ଶବ୍ଦଟି,

ମିତୃତ୍ୱ ରାଜତ୍ୱ ପ୍ରଭା ଥାଆନ୍ତା ପ୍ରକଟି ।

ତୋ ଶକ୍ତି ମୁଁ ଭାବି ଭାବି ହୁଏ ଆଚମ୍ବିତ,

ଭଲା ତୋ ଶକ୍ତି ସର୍ବତ୍ର କଲୁ ବିସ୍ତାରିତ ।

ତୋର ଗତିର ବିକାର କି ଚିତ୍ର ବିଚିତ୍ର,

ମୃତ୍ୟୁ ସଙ୍କାଶ ତୁ କ୍ରୋଧ ଅଟୁ ଅପବିତ୍ର ।

 

ତୋହର ଶାସନେ ସଦା ସର୍ବେ ବଶୀଭୂତ,

ସର୍ବଗ୍ରାସୀ ଅବିଶ୍ୱାସୀ କାଳର ତୁ ଦୂତ ।

ଅନ୍ଧର ନଥାଏ ଦୃଷ୍ଟି ମାତ୍ର ଥାଏ ଜ୍ଞାନ,

ତୋଯୋଗେ ହରାଏ ଦୃଷ୍ଟି ଜ୍ଞାନ ଚକ୍ଷୁଷ୍ମାନ ।

 

କୃପା କରି କ୍ରୋଧ ଭଲା କ୍ଷଣକ ମାତର,

ମୋ ହୃଦମନ୍ଦିରୁ ତୁହି ହୋଇ ଯା ଅନ୍ତର ।

 

ଆଶା

ଆଶା ମାୟା ଜାଲିକାରେ ସଂସାର ଜଡ଼ିତ,

ତା ବଳେ ସମଗ୍ର ଜୀବ ଜଗତ ଚାଳିତ ।

ସନ୍ତପ୍ତ ପରାଣେ ସୁଧା ଢାଳିଦିଏ କାହିଁ,

ବିଘ୍ନ ବାଧା ଲଜ୍ଜା ପ୍ରତି ଦୃଷ୍ଟି ରଖେ ନାହିଁ ।

 

ଦୁଃଖ ଶଙ୍କା ଚିନ୍ତାଆଦି ତାହାର ପ୍ରଭାବେ;

କ୍ଷଣେ କ୍ଷଣେ ସ୍ୱ ସ୍ୱ ଗୁଣ ଛାଡ଼ନ୍ତି ସ୍ୱଭାବେ ।

ମନୋମୁଗ୍ଧକର ଚିତ୍ର କରିକି ଯତନ,

ଆଶା କଳ୍ପନା ସାହାଯ୍ୟେ କରଇ ଅଙ୍କନ ।

 

ଅଶାଗାର ଅସରନ୍ତି ପୁଣି ଅଗଣିତ;

ଅବର୍ଣ୍ଣିତ ମହୋଜ୍ଜ୍ୱଳ ରତ୍ନରେ ସଜ୍ଜିତ ।

ଆଶାର ବିପଣୀ ପ୍ରତି ସମସ୍ତେ ଆକୃଷ୍ଟ,

ତା ନିକୃଷ୍ଟ ଯୋଗେ ଜୀବେ ହୁଅନ୍ତି ନିକୃଷ୍ଟ ।

 

ଆଶାର ପ୍ରବଳ ବଳ ସର୍ବଜୀବ ପ୍ରତି;

ଉଚ୍ଚ ନୀଚ ସମଭାବ ଅଟେ ତାହା କତି ।

ଆହା ମହାଧନଆଢ଼୍ୟ ଭିକ୍ଷୁକ ଆବଳୀ;

ଦିଅନ୍ତି ସମାନେ ବଡ଼ ସାନ ଆତ୍ମବଳି ।

 

ସେହି କୁହୁକିନୀ ମାୟା କୁହକେ ସରବେ;

ଭୁଲିଯାନ୍ତି ଆତ୍ମଜ୍ଞାନ ପଡ଼ି ରଉରବେ ।

ଆଶା ଏକମାତ୍ରସବୁ ଅନିଷ୍ଟ କାରିଣୀ;

ଜନ୍ମ ଜରା ମୃତ୍ୟୁ ‘କ୍ଲେଶ’ ଆଦି ପ୍ରସବିନୀ ।

ଆଶା କଷାଘାତ ପାଇ ଇତସ୍ତତଃ ସେହି

ଶାସନର ବଶବର୍ତ୍ତୀ ନୋହିଛି ବା କେହି ।

ଅନିତ୍ୟ ସଂସାରେ କ୍ଷଣ ଭଙ୍ଗୁର ଜୀବନେ;

ଚିରତ୍ୱ ଭାବ ଜନ୍ମାଏ ସେ କୁଆଶା ମନେ ।

 

ଆଶା-ପାଶେ ସର୍ବପ୍ରାଣୀ ସଦା ହୋଇ ବନ୍ଧା;

ଆଜୀବନ ଭବ ଧକ୍କା ପାଇ ହୋନ୍ତି ଧନ୍ଦା ।

ଆଶାର ଅଦ୍ଭୁତ ଶକ୍ତି ଅଟେ ଅକଳନା,

ଚରାଚର ବିଶ୍ୱବାସୀ ସେପଥରେ ବଣା ।

 

ଶୟନେ ସ୍ୱପନେ କିମ୍ବା ଜାଗ୍ରତ ସମୟେ,

ଆଶା-ନିଶା ଘାରିଥାଏ ସଦା ଜୀବଚୟେ ।

 

ଉତ୍କଳ କବି

ସତେକି ଉତ୍କଳକବି ଭାଲେ ଭୁଲେ ବିହି,

ଲେଖୁ ଲେଖୁ ଶୁଭ ପୂର୍ବେ ‘‘ଅ’’ ଦେଇଛି ନିହି ।

ଶୋକ ରୋଗ ଦୁଃଖ ଅହୋ ଯାତନା ନିକର;

ଉତ୍କଳ କବି କୁଳର ଚିର ସହଚର ।

 

ନବୁଝନ୍ତୁ କେହିପଛେ କବିତାର ମୂଲ୍ୟ,

କାଳେବେଳେ ଅବଶ୍ୟ ସେ ହୋଇବ ଅତୁଲ୍ୟ ।

ସ୍ୱର୍ଗୀୟ ସ୍ୱଚ୍ଛ ଖଣିଜା କବିତା ମାଣିକ;

ସୁଜ୍ଞ ବଣିକ ମନୋଜ୍ଞ ଅଟେ ସମଧିକ ।

 

କବିବିନା କିଏ ଜାଣେ କବି ପରିଶ୍ରମ;

ଚିହ୍ନିବାକୁ ରତ୍ନ ସିନା ରତ୍ନଜୀବୀ କ୍ଷମ ।

ସୁଗ୍ରାହକ-ଜାଙ୍ଗଳିକ ମାତୃ ମହୀତଳେ,

ଜନ୍ମି ଅଭିଶାପ-ପାପ ତଡ଼ି ଦେବେ ବଳେ ।

 

ନିରୁତ୍ସାହ-ଦାବାନଳ କବିହୃଦ-ବନ

ପ୍ରସ୍ଫୁଟିତ ଭାବ-ଫୁଲେ କରେ ସଂଦହନ ।

ବୀଣାପାଣିଙ୍କ ପୟର ପୂଜନ୍ତି ଯେ ଧୀରେ,

ଦାରିଦ୍ର୍ୟର ଶତବଜ୍ର ପଡ଼େ ତାଙ୍କଶିରେ ।

 

ଧୈର୍ଯ୍ୟ-ସାର ସୁପ୍ରତିଭା ସଲିଳରେ ଜୀଇ,

ଅଛି କବି ବୃକ୍ଷ ମାତ୍ର ନଫଳି କିଛିହିଁ ।

ଉତ୍କଳ କବି ପାଦପ କଳ୍ପତରୁ ତୁଲ୍ୟ,

ଫଳବାନ ହେବ ଦିନେ ପାଇ ଅନୁକଳ୍ପ ।

 

ଅତୀତ ଗୌରବ ଫେରି ଆସିବ ସତ୍ୱରେ,

କବି ପ୍ରତିଭାର ପୂଜା ହେବ ଘରେ ଘରେ ।

କବି ନାମେ ପ୍ରକଟିବ ଜୟ ଜୟ ନାଦ,

ତୁଟିଯିବ ସ୍ୱଦେଶର ଜଡ଼ତା ବିଷାଦ ।

 

କବି କାବ୍ୟ କାନନସ୍ତ ସୁଭାବ-ସୁମନ,

ସୁଗନ୍ଧରେ ମୁଗ୍ଧ ହେବ କୋବିଦଙ୍କ ମନ ।

ଆଧୁନିକ କବିଙ୍କର ଲିଖିତ କବିତା,

ଉତ୍କଳ ଭାବୀ ସନ୍ତାନେ ହୋଇବ ସେବିତା ।

 

ପାର୍ଥିବ ଧନାଦି ସିନା ହୋଇଯାଏ କ୍ଷୟ,

ବିପୁଳ କବିତା କୀର୍ତ୍ତି ଅଟଇ ଅବ୍ୟୟ ।

ନିୟତି ଶାସନେ ଚର୍ମ-ତନୁ ହେବ ହତ,

ରହିବ କବିତା ମାତ୍ର ପ୍ରତିନିଧି ବତ ।

 

ମର ପ୍ରାଣ ମରିସୁଦ୍ଧା ମର୍ତ୍ତ୍ୟ-ଉଦ୍ୟାନରେ

ଅମରତ୍ୱ ନାମରଖେ କାବ୍ୟ ସୁମନରେ ।

ତା ଯୋଗୁଁ କବି ପୁତ୍ରଙ୍କ ଶିଷ୍ୟ ଉପଶିଷ୍ୟେ,

ହୋଇବ ଉତ୍କଳ ସୁଖୀ ଅଦୂର ଭବିଷ୍ୟେ ।

 

ଫୁଟିବାହାରି ଅବଶ୍ୟ ଉତ୍କଳ ଆକାଶୁ,

ଉଦେ ହେବ ଦିନେ କବି-ସୌଭାଗ୍ୟ ସିତାଂଶୁ ।

ଆସିବ ସୁଦିନ ଆଶୁ ପ୍ରକାଶେ ଆଭାଷ,

କମଳା କବି କମଳେ କରିବାକୁ ବାସ ।

 

ତୃଷିତ କବି-ଚାତକେ ବଦନ ବିସ୍ତାରି,

ପିଇବେ ଗ୍ରାହକ-ଘନ ଉପହାର-ବାରି ।

 

ଅମରକବି

ଆହେ ଉପଇନ୍ଦ୍ର ଭଞ୍ଜ କବି ଦିନମଣି,

ଅଭିମନ୍ୟୁ ସାମନ୍ତ ହେ ବୃଦ୍ଧ ଯଦୁମଣି ।

ଆହେ ଦୀନବନ୍ଧୁ ରାଜ ସୁରଙ୍ଗୀ ଭୂଦେବ,

ବାମଣ୍ଡା ସୁଢ଼ଳଦେବ ପଦ୍ମନାଭ ଦେବ ।

 

ଭକ୍ତ କବି ବଳରାମ କୃଷ୍ଣଦାସ ହାୟ,

ହେ ମଧୁସୂଦନ ରାଓ ରାଧାନାଥ ରାୟ ।

ଏ ଉତ୍କଳେ ଜନମିଣ ଏ ଉତ୍କଳେ ମରି,

ଅମରତ୍ୱ ଲଭିଗଲ ଅମର ନଗରୀ ।

 

ଉତ୍କଳର ପ୍ରତି ଥିଲା ଯେଉଁ ସୁକରୁଣା,

ଅଣୁପ୍ରମାଣରେ ତହୁଁ ନକରଟି ଉଣା ।

ତୁମ୍ଭମାନଙ୍କ ସକାଶୁଁ ସିନା ଏ ଉତ୍କଳ,-

ସାହିତ୍ୟର ଅଛି କିଛି ପ୍ରଭୁତ୍ୱ ପ୍ରବଳ ।

 

ଯାଇଛିତ କବିତାର ପଥ ପ୍ରଦର୍ଶାଇ,

ପୁଣ୍ୟ ଭୂମି ଛାଡ଼ି ଆଉ ଆସିବ କିପାଇଁ ।

ଆଶୀର୍ବାଦ କର ଦେବେ ମିଳିଣ ସକଳ,

ଉତ୍କଳେ ହେବାକୁ ବୃଦ୍ଧି କୋବିଦମଣ୍ଡଳ ।

 

ଉତ୍କଳ ଜନନୀ କୃତୀ-ପୁତ୍ରଙ୍କୁ ହରାଇ,

କି ଥିଲା କି ହେଲା ଏବେ ସେ ବିଭବ କାହିଁ ।

କରିବାକୁ ଆଶ୍ୱାସନା ମନାଇ ତା ମନ,

ବିରଳ ଏକାଳେ ତୁମ୍ଭ ସମାନ ନନ୍ଦନ ।

 

ଆମ୍ଭପରି ସନ୍ତାନକୁ ଲଭି ଅଭାଗିନୀ,

ପଡ଼ିଛି ଚିର ଦୁଃଖିନୀ ହୋଇ ଏକାକିନୀ ।

ମାତାର ସନ୍ତାପ-ତପ୍ତ-ଅଶ୍ରୁ-ସରିତରେ,

ମନ-ମୀନ ଇତସ୍ତତ ହୁଏ ନିରତରେ ।

 

ସତେ କି ତାହାର ହୃଦ ସରୋବର ଜଳେ,

ମନ-ମୀନ ପୁନଃଆହା ଖେଳିବ ପ୍ରବଳେ ।

ଯାବତ ଥିବେ କାକର-କର ପଶିଇନ,

ତାବତ ଗୌରବ ତବ ନହେବ ମଳିନ ।

 

ତୁମ୍ଭର ନାମରେ ଦେଶ ବିଦେଶ କମ୍ପାଇ;

ଗାନ କରୁଥିବେ କବି ଗୁଣ-ବୀଣା ବାଇ ।

ତୁମ୍ଭ ସ୍ୱଦେଶ ପ୍ରେମର ସୁଷମାକୁ ଆଶି,

ଫୁଟିଛି କବିତା-ପୁଷ୍ପ ପୂଜିବାକୁ ବାଣୀ ।

 

କୃତଜ୍ଞତା

ଆହେ ବାଣୀବରପୁତ୍ର କବି ହୃଦ-ମଣି,

ଲେଖନୀ ତୁମ୍ଭର ଅଟେ ସତ୍କବିତା ଖଣି ।

ରଖିଛ ରଖିବ ଲେଖି ଯେଉଁ ଗ୍ରନ୍ଥମାନ,

ଲଭିବ ସେ ଗ୍ରନ୍ଥେ ଦିନେ ଉତ୍କଳ ସମ୍ମାନ ।

 

ଆଧୁନିକ କବି-କାବ୍ୟ-ବନ-ବନପ୍ରିୟ,

ଲେଖନୀର ଶକ୍ତି ତବ କି ପ୍ରଶଂସନୀୟ ।

ଉଚ୍ଚାଶୟ ତବ ଲେଖା କେହିତ ଉତ୍କଳେ,

ଚିହ୍ନି ନାହାନ୍ତି ଚିହ୍ନିତ ହେବ ବେଳେବଳେ ।

 

ସାହିତ୍ୱ-ନଭରେ ନବ ଦିନମଣି ପରି,

ଉଇଁ ଆସୁଅଛି ତବ ଲେଖା ଅବତରି ।

ତବକାବ୍ୟ ପୁଷ୍ପବାସ ଚିରସ୍ଥାୟୀ ହୋଇ,

ଦୀନ-ଉତ୍କଳ ସାହିତ୍ୟ-ବନ ଦେବ ମୋହି ।

 

କଳ୍ପଲତା କଳ୍ପନାର ଚଟୁଳ ଚରିତ,

ଚିହ୍ନାଇ ଦିଏ ଗଭୀର କଳ୍ପନା ରଚିତ ।

ଇତିହାସ ଭୌଗୋଳିକ ପ୍ରାକୃତିକ ଦୃଶ୍ୟ,

ବର୍ଣ୍ଣନା ପ୍ରଣାଳୀ ଅଟେ ସୌମ୍ୟ ସୁସାଦୃଶ୍ୟ ।

 

ଅନୁପ୍ରାସ ସମନ୍ୱିତ ରଚନାରେ ବାଟ,

ଦର୍ଶାଇ ସୁରଙ୍ଗୀକାବ୍ୟେ କଲ କେତେ ଚାଟ ।

ଶିଶୁପାଳ-ବଧ କାବ୍ୟ ସୁମନର ରସ,

ମୋହିଛି ଉତ୍କଳ କବି-ଭୃଙ୍ଗଙ୍କ ମାନସ ।

 

ସପ୍ତରଥୀ ସପ୍ତସତୀ ରଚନାର ଛଟା,

ଅଟେ ତବ ଅମରତ୍ୱ ଶାଶ୍ୱତର ପଟା ।

ସଞ୍ଜମ ଶିକ୍ଷା ପ୍ରଧାନ ଦୀକ୍ଷା ଗୁରୁ ସମ,

ତା’ ଶିକ୍ଷାଯୋଗେପୁବକେହେବେଦେବୋପମ ।

 

ମେଘାସନ ବର୍ଣ୍ଣାତ୍ମକ କାବ୍ୟ ଚିତ୍ରମାତ୍ର,

ପାଠେ ତା ଭାବ ମାଧୁର୍ଯ୍ୟ ପୁଲକାଏ ଗାତ୍ର ।

ସାଳନ୍ଦୀ ଲାଗି କାଳିନ୍ଦୀ ସ୍ମରଣ ନୁହଇ,

ମୋହିନୀ ମୋହନ ଗୁଣେ ଆକୃଷ୍ଟ କରଇ ।

 

ଉଦ୍ୟାନଖଣ୍ଡର ଭାବ ବିଦିତ୍ୟ ଉତ୍କଳ,

ସାହିତ୍ୟ-ନଭରେ ଖେଳେ ହୋଇ ସୁବିମଳ ।

ପ୍ରଚାରଇ ରାଜଭକ୍ତି ରାଜଭକ୍ତି ଶିକ୍ଷା,

ଶିକ୍ଷକ ସ୍ୱରୂପ ଶିଶୁ ଗଣେ ଦେଇ ଦୀକ୍ଷା ।

 

ମାତୃ ସମା ମାତୃପୂଜା ପଠନର ନିଶା,

ନ ତୁଟି ପାଠେ ପାଠକେ ଘାରେଦିବା ନିଶା ।

ଶତଦଳ ଶତବାର ପଢ଼ିଲେହେଁ ଯେତେ,

ମନ ଉତ୍ସାହିତ ହୁଏ ପଢ଼ିବାକୁ ତେତେ ।

 

ସମାଧିକ୍ଷେତ୍ର ସମାଧି ଯୋଗ ଭାବ ମନେ,

ଜନମାଏ ବାରେ କେତେ ପୃଷ୍ଠାର ପଠନେ ।

ପ୍ରକୃତିପେଟିକା ନାମ ପ୍ରକୃତ ପ୍ରକୃତ,

ପାଠକ ପାଠିକାଙ୍କର ପଠନୀୟ କୃତି ।

 

କୈବଲ୍ୟକଣିକା ଭକ୍ତି-ଲତାର କଣିକା,

ଭକ୍ତ ଜନଙ୍କର କାଳେ ହୋଇବ ଜୀବିକା ।

ନାମମାହାତ୍ମ୍ୟ ମହାତ୍ମା ନାମଙ୍କ ପ୍ରେମରେ,

ସୁଚାରିତ ହେବ ଦେଶେ ବିଦେଶ ମଧ୍ୟରେ ।

 

ନୀତିକୁସୁମ କୁସୁମ-ମାଳ କରି ମୁଦେ,

ନିତି ନିତି ଲମ୍ବାଇବେ ସୁକୋବିଦେ ହୃଦେ ।

ବଣମାଳତୀଟି କବି-ବଣ ମାଳତୀର,

ସୁଗୁଣ ଚିହ୍ନାଏ ଡେଇଁ ଅରଣ୍ୟ ପ୍ରାଚୀର ।

 

କାବ୍ୟ ଲେଖନ ସରଣୀ ସୁରଙ୍ଗୀ କାବ୍ୟରେ,

ଦେଖାଇ ପଥିକ ହୋଇ ଅଛ ସେ ପଥରେ ।

ଧନ୍ୟ ଧନ୍ୟ କବି ତୁମ୍ଭ ନିସ୍ୱାର୍ଥ ପରତା,

ନିସ୍ୱାର୍ଥତା ରଖେ ସିନା କବିଙ୍କ ମମତା ।

 

ନିଜ ଦେଶ ହିତୈଷିତା ଗୁଣାଦି ରତନ,

ତୁମ୍ଭପରି କବିଠାରୁ ହୁଏ ଉପାର୍ଜନ ।

କୃତଜ୍ଞତା ଅସ୍ୱୀକାର କଲେ ଅସୁନ୍ଦର,

କୃତଜ୍ଞତା ଅଟେସିନା ସ୍ୱର୍ଗ ସ୍ୱରଗର ।

 

ଯଥାର୍ଥ କୃତଜ୍ଞତାକୁ ନକଲେ ପ୍ରକାଶ,

କୃତଘ୍ନତା ହୃଦ-ବାସେ ରହେ କରିବାସ ।

ଏହି ଯୋଗୁଁ କୃତଜ୍ଞତା ଉପହାର ପରି,

ଅର୍ପଣ କରେଁ ଗ୍ରହଣ କର କରେ ଭରି ।

 

ପୀଡ଼ା

ଆଲୋ ପୀଡ଼ା ତୁହି କେଉଁ ଦେବ ଦେବୀଙ୍କର,

ଶାପେ ହୋଇ ମୂର୍ତ୍ତିମତୀ ଭ୍ରମୁ ନିରନ୍ତର ।

ଭବ ମଧ୍ୟେଁ ଆସି କାହୁଁ ହୋଇଛୁ ଗୁପତ,

ପ୍ରାଣୀ ଆୟୁଷ ଶୋଷଣ ତୋର ନିତ୍ୟ ବ୍ରତ ।

 

ଅଚଳ ପରାଏ ମନ-ରଥକୁ ଅଚଳ,

କରି କରୁ କ୍ଷୟ ଦେହ-ରଥକୁ ଚପଳ ।

ମନର ଆଶାକୁ ପକ୍ୱ-ରମ୍ଭା ଫଳ ତୁଲ୍ୟ,

ନବୁଝି ଯା ଗିଳିଦେଉ ତା ଅମୂଲ୍ୟ ମୂଲ୍ୟ ।

 

ତୁ ନଥିଲେ ହୋଇଥାନ୍ତା ବିଶ୍ୱ ଶାନ୍ତିମୟ,

ଥାନ୍ତା ନାହିଁ ଶୋକ ଦୁଃଖ ମରଣର ଭୟ ।

ଅଧିକତ୍ୱ ମାନବଙ୍କୁ ଦେଖାଇ ନିଦାନ,

ପ୍ରତ୍ୟକ୍ଷର ପୁନଃ ପୁନଃ କରୁ ସାବଧାନ ।

 

ମାତ୍ର ସେହି ସାବଧାନେ କଷ୍ଟ ମିଶିଥାଏ,

ତେଣୁ ତୋର ଉପକାର ସୁଧା ବିଷ ପ୍ରାଏ ।

ପ୍ରାଣୀଗଣେ ସମଭାବେ ଦେଖାଇ ବିଶ୍ୱାସ,

ଦେଉ ତୁମ୍ଭ ମୃତ୍ୟୁଭୂମି ବିଶ୍ରାମ ସକାଶ ।

 

ଜଗଜ୍ଜୟ ଶୀର୍ଣ୍ଣକାୟା ପୁନଃସୁଗଠନେ,

ସହାୟ ପାଇଁତୁ ଆସୁ ଆଶୁ ସଯତନେ ।

ସ୍ପର୍ଶ ଆଦି ଦୋଷ ଗୁଣ ନରଖି କାହିଁରେ,

ନିର୍ବିଶେଷ ଶିକ୍ଷା ପ୍ରଦାନୁ ମହୀରେ ।

 

ବିଳାସ-ଦେଶର ଅଟୁ ତୁ ଚକ୍ରବର୍ତ୍ତିନୀ,

ଆଳସ୍ୟ ସଚିବ ପୁଣି, ବ୍ୟସନ ବାହିନୀ ।

ବିଚାର ଆଳୟ ତୋର ଅଟେ ପ୍ରାଣୀଦେହ,

ଅସହ୍ୟ ଯନ୍ତ୍ରଣା ତୋର ଯଥା କାରାଗେହ ।

 

ତୋହର ଶୂଳିଆପଦା ଶ୍ମଶାନ ଅଟଇ,

ମାଟିରେ ମିଶଇ ତନୁ ମାଟି ହୋଇ ତହିଁ ।

ସାକ୍ଷ୍ୟ ସମ କାମ କ୍ରୋଧ ଲୋଭ ମୋହ ଆଦି,

ଯୌବନ ଚୟସ୍ୟପୁଣି ପ୍ରତିକ୍ଷଣ ବାଦୀ ।

 

ପଞ୍ଚଆତ୍ମା ପଞ୍ଚାୟତ ମତ ଅବିଦିତ,

ଆଶା-କଟୁଆଳ ଶୋଷି ଦିଏ ଭକ୍ତବିତ୍ତ ।

ପରମାତ୍ମା ଚିକିତ୍ସକ ଥାଏ ଜଗି ମାତ୍ର,

ଜୀବାତ୍ମା ଯିବାର ଯାଏଁ ଛାଡ଼ି ନିଜ ଗାତ୍ର ।

 

ଅଶ୍ରୁ-ପଟରେ ତୋ ରାଜ୍ୟ ସମୂର୍ବରବାନ,

ନେତ୍ର ଜଳାଶ୍ରୟ ଯୋଗେ ସଦା ବିଦ୍ୟମାନ ।

ଘରେ ଘରେ ଚିନ୍ତା-ଦୀପ ଦିବସ ସର୍ବରୀ,

ପ୍ରଜ୍ଜ୍ୱଳିତ ହୁଏ ସିନା ରୁଦ୍ର ଶିଖା ଧରି ।

 

ସାନ ବଡ଼ ସର୍ବେଆହା ସମାନ ଭାବରେ,

ହରାନ୍ତି ସୁବୁଦ୍ଧି ଜ୍ଞାନ ସନ୍ତାପ ଦାବରେ ।

ତୋହର ଅପଥ୍ୟ ଦାସ ତୋର ତୋଷପାଇଁ,

ରୋଗୀକୁ ଭୁଲାଏ ରୁଚି ଦ୍ରବ୍ୟରୂପେ ଖାଇ ।

 

ତୋର କ୍ଷୁରିକାର କାଳ କାଳ ବେଳେ ଆସି,

କାଳବେଳ କହିଦିଏ ସହସା ପ୍ରକାଶି ।

ଆତ ଯାତ ହୁଏ ହୀନ ନିୟତି ନିୟମେ,

ପ୍ରତିହତ ହେଉ ଏକା ନିୟମ ସଞ୍ଜମେ ।

 

ଯୋଗୀମୀନେ ଯୋଗଯୋଗେ ତୋ ଆସନ ଏଡ଼ି,

ନ ପଢ଼ନ୍ତୁ ବାରେ ତୋର ଶମନକୁ ଫେଡ଼ି ।

ଦୁର୍ବଳକୁ ବଳେ କଳେ ମାରିବା ଅବିଧି,

ବଳବାନ ପକ୍ଷେ ବଳ ଦେଖାଇବା ସିଦ୍ଧି ।

 

ବଳତ୍କାର ପ୍ରଭୂତ୍ୱକୁ କରାଏ ନିନ୍ଦିତ,

ବଳାତ୍କାରେ ନୋହେ କେହି କେବେ ପ୍ରଶଂସିତ ।

ରାଜ୍ଞୀପଣେ କ୍ଷମାଗୁଣେ ଦେଖାଅ କ୍ଷମତା,

ନାହିଁ କିମ୍ବା କିମାକାର ଦୟା ଦକ୍ଷିଣତା ।

 

ଚାହେଁ ନାହିଁ ମନ ଧନ ରତ୍ନାଦି ସମ୍ପତ୍ତି,

ମମତା ନାହିଁ ତ ତାର ଶରୀରର ପ୍ରତି ।

ଡରାନା ଡରାନା ଭଲା ଆଉପୀଡ଼ା ଏତେ,

ତୋର କାର୍ଯ୍ୟ ତୁଚ୍ଛକର ଭାବିଅଛୁ ଯେତେ ।

 

ଦେହ ଗୃହ ଭାଙ୍ଗିବାର ଅଛିବୋଲି ଶକ୍ତି,

ପ୍ରକୋପରେ ଏପ୍ରକାର ରଖନା ଆସକ୍ତି ।

ଏହି ଦେହ ରୂପ ଗୃହ ଭଗ୍ନ ହୋଇଗଲେ,

ପରକ୍ଷଣେ ମିଳିଯିବ ନବ ବାସ ଭଲେ ।

 

ମନ ଚାହେଁ ସିନା ତାର ସଦା ସ୍ୱଚ୍ଛନ୍ଦତା,

ଚାହେଁ ନାହିଁ କେବେ ସେହି ତୋହର ବଶତା ।

ମନ ପ୍ରତି ପ୍ରତିକୁଳ ହେବାକୁ ତୁ ବଳ,

ଦେଖାନା ଦେଖାନା ଆଜି କରି ସୁକୌଶଳ ।

 

ମନ ବଳ ଜାଣିପାରି-ନାହୁଁ କି ଗୋ ବାରେ,

ତାହା ବଳେ ସ୍ୱର୍ଗ ମର୍ତ୍ତ୍ୟ ଏକ ହୋଇପାରେ ।

ମନ ସୁପ୍ରସନ୍ନ ହେଲେ ସବୁପାରେ ସାଧି,

ମନ ଦୃଢ଼ତାରେ ତୁହି ପାରିବୁ କି ବାଧି ।

 

ମନ ଅଟେ ତୋର କଷ୍ଟ-କରୀର ଅଙ୍କୁଶ,

ତାର ତୀକ୍ଷ୍ଣ ମୁନ ଘାତେ ନୋହୁବି ଅଦୃଶ ।

ତୋର କାର୍ଯ୍ୟ ତୁହି କରୁ ତୋହର ସାଧନେ,

ମନ କାର୍ଯ୍ୟ ମନ କରେ ସାବଧାନ ମନେ ।

 

ଛିଦ୍ରପାଇ ଦେହ-ଗୃହେ ପଶିଯାଉ ସିନା,

ମନ-ଗୃହ ଦେହଳୀକି ଡେଇଁପାରୁ କିନା ।

କଳେବର ପରେବଳ ଥାଇପାରେ କିଛି,

ଜାଣେ ମନ ପରେ ତୋର ବଳ ନାହିଁ ଛି ଛି ।

 

କିସାଧ୍ୟେ ଛୁଇବୁଁ ମନେ ତୁହି ଛାର ପୀଡ଼ା,

ସେ ମନ ସମ୍ମୁଖେ ଛିଡ଼ା ନୁହ ଛାଡ଼ି ବ୍ରୀଡ଼ା ।

ସେହି ମନ ଯଦିଇଚ୍ଛା କରଇ ବହୁତ,

ତୋହର ପ୍ରଭୁତ୍ୱ ଗର୍ବ କରିପାରେ ଚ୍ୟୁତ ।

 

ଅଙ୍ଗ-ଅଟ୍ଟାଳିକା ଭାଙ୍ଗି ଦେଉ ତୁ ଯେତିକି,

ବିଶ୍ୱର ବିନ୍ଧାଣୀ ଗଢ଼ି ଦିଆଇ ତେତିକି ।

ନିତି ନିତି ଗଢ଼ାଭଙ୍ଗା ସଦା ଲାଗିଥିବ,

ନିୟନ୍ତା ନିୟମ କେବେ ଅନ୍ୟଥା ନୋହିବ ।

 

ମାନି ମୋର ଚିର ତୁହି ନ ହୁଅ ନିଷ୍ଠୁର,

ଜୀର୍ଣ୍ଣ ଶୀର୍ଣ୍ଣ ତନୁ ମଧ୍ୟୁ ହୋଇଯା ତୁ ଦୂର ।

 

ଜନ୍ମଭୂମି

ଜନନୀ ଜନମ ଭୂମି ସ୍ୱର୍ଗୁ ଗରୀୟସୀ,

ଜନନୀଠାରୁ ଜନମ-ଭୂମି ମହୀୟସୀ ।

ଜନନୀ ସମୟେ ହୋଇ ପାରେ ବିସ୍ମରଣ,

ଜନମ ଭୂମି ପାଶୋରି ନୁହେ ଏକ କ୍ଷଣ ।

 

ହୋଇପାରେ ପରି ଶୋଧ ଜନନୀର ଋଣ,

ସୁଝିବାର ସୁକଠିନ ଜନ୍ମଭୂମି ଗୁଣ ।

ଜ୍ଞାନବାନ ଜନ ମାତ୍ର ଚିହ୍ନେ ଜନନୀକି,

ଚିହ୍ନନ୍ତି ଅଜ୍ଞାନୀ ଜ୍ଞାନୀ ଜନମ ଭୂମିକି ।

 

ଜନ୍ମଭୂମି ପ୍ରେମକରେ ହୃଦୟ ପ୍ରଶସ୍ତ,

ସେ ପ୍ରେମେ ଉନ୍ନତି-ରବି ହୁଏ ନାହିଁ ଅସ୍ତ ।

ଯେ ଜାଣେ ଜନମଭୂମି ପ୍ରେମ ମର୍ମ କଥା,

ନରକୁଳ ମଧ୍ୟେ ସେହି ଆରାଧ୍ୟ ଦେବତା ।

 

ଜନ୍ମଭୂମି ଏକମାତ୍ର ଜୀବନ ଜୀବିକା,

ହୁଅନ୍ତି ନରେ ତା ନାମେ ନିତି କିଣାବିକା ।

ଜନ୍ମଭୂମି ତୁଲ୍ୟ ଅଛି ଆନ କେଉଁ ସ୍ଥାନ,

ଦେବାକୁ ଉପମା ନାହିଁ କିଛି ତା ସମାନ ।

 

ଜୟ ଜୟ ଜନ୍ମଭୂମି ଶାଶ୍ୱତୀ ଜନନୀ,

ରକ୍ତ ଧମନୀ ଯାହାର ସ୍ତନ୍ୟାମୃତ ଖଣି

ସେ ସ୍ତନ୍ୟ ପିୟୁଷ ପାନ ଛାଡ଼ି ଅନ୍ୟ ଦେଶେ,

ଗଲେ ହୃଦ ପିପାସା କି ତୁଟିପାରେ ଲେଶେ ।

 

ଜନନୀ ଜନମଭୂମି ଆରାଧନା କର୍ମ,-

ବିନା ନାହିଁ ଏଭଙ୍ଗୁର ଭବେ ଆନ ଧର୍ମ ।

ସେହିଟି ଅଟେ ବରେଣ୍ୟ ସେହିଟା ଶରଣ୍ୟ,

ତାହାସେବା ଫଳସିନା ନର ପ୍ରାଣେ ଧନ୍ୟ ।

 

ଜନ୍ମଭୂମି ଜନନୀର ସୁଧାମୟୀ ଭାଷା,-

ବିନା ଆନ ଭାଷାରେ ମୋ ନ ପୂରଇ ଆଶା ।

ଥିଲେ ସୁଦ୍ଧା ତ୍ରିଦିବେଶ ତୁଲ୍ୟ ସଦଳରେ,

ଜନ୍ମଭୂମି କୁଟିର କି ନ ପଡ଼େ ମନରେ ।

 

ଧନ୍ୟ ଧନ୍ୟ ତା’ ମହିଁମା ତାହା ପ୍ରେମଧନ୍ୟ

ଜନ୍ମଭୂମି ବିନା ପୁଣ୍ୟ-କ୍ଷେତ୍ର ନାହିଁ ଅନ୍ୟ ।

 

ପ୍ରଭୁତ୍ୱ

ଅଳ୍ପ ଦିନ ଅଧିକାରେ ବାନ୍ଧି ଏ ଜୀବିକା,

ଦେଖାନା ଦେଖାନା ତୁରେ ମୋହ ବିଭୀଷିକା ।

କର ନିଜ ପ୍ରତି ଯେଉଁ ପରି ବ୍ୟବହାର,

ଅନଂ ପ୍ରତି ବ୍ୟବହାର କର ସେ ପ୍ରକାର ।

 

ସମ୍ମାନ ନ କଲେ ଅନ୍ୟେ ନିଜେ ସମାଦର,

କାହିଁ ବା ପାରିବ ମିଳି କିଞ୍ଚିତ ମାତର ।

ଯେହୁ ପରେ ଦିଏ ସୁଖ ଆପେ ହୁଏ ସୁଖୀ,

ପରେ ଦୁଃଖ ଦେଲେ ହୁଏ ନିଜେ ମହାଦୁଃଖୀ ।

 

ଯେଉଁପରି କାର୍ଯ୍ୟ ସେହିପରି ପ୍ରତିଫଳ,

ମିଳେ ବଳେ ଆସି କାଳେ ନୁହେଁ ତା ବିଫଳ ।

ସୌଜନ୍ୟ ସରଳ କାର୍ଯ୍ୟେ ଲାଭ ହୁଏ ଯଶ,

ସୌଜନ୍ୟ ଯୋଗରେ ପ୍ରାପ୍ତ ହୁଏ ତ୍ରିଦିବଶ ।

 

ଉଦ୍ଧାର କରିବା ଶକ୍ତି ଅଟେ ସାର ଗୁଣ,

ସେ ଗୁଣ ଅଭାବେ ହୁଏ ପ୍ରଭୃତ୍ୱ ନିଊନ ।

କୁଟିଳ ସ୍ୱଭାବ ଗୁଣ ଯାହାର ଯେମନ୍ତ,

ତା ସମ୍ମାନ ଅସମ୍ମାନ ଅଟଇ ତେମନ୍ତ ।

 

ନ ପିଅନ୍ତି ଜଳ କେବେ ନଦୀ ସରୋବରେ,

ଖାଏ ନାହିଁ ତରୁ ଫଳ ପ୍ରଦାନେ ଅପରେ ।

ପରହିତ ଚିନ୍ତା ସିନା ସ୍ୱର୍ଗୀୟ ସୁମନ,

ପକ୍ଷାନ୍ତେ ଅନିଷ୍ଟ ଚିନ୍ତା ପାପର ସଦନ ।

 

ପରହିତ କ୍ଷଣେ ଯେହୁ ଭାବିନାହିଁ ମନେ,

ଧିକ ଧିକ ତା ବିଭୁତି ଧିକତା ଜୀବନେ ।

ପର ଦୁଃଖେ ଯେବାଥରେ ନୋହିଛି କାତର,

ନାହିଁ ନିଜକୁ ଚିହ୍ନିବା ଶକ୍ତି ତା’ ନିଜର ।

 

ଦୟାର ସହିତ କାର୍ଯ୍ୟ କରିବାକୁ ଯେହି,

ଶିଖିନାହିଁ ତାର ପକ୍ଷେ ନିଷ୍ଠୁର ସର୍ବେ ହିଁ ।

ଅନ୍ୟକୁ ନିଜର ସମ ଜ୍ଞାନ ଯେହୁ କରେ,

ଶତ୍ରୁ ମଧ୍ୟ ଭୃତ୍ୟପଣେ ଖଟେ ତା ପୟରେ ।

 

ଶତ୍ରୁତା ମିତ୍ରତା ଦ୍ୱୟ ରହିବା ଉଚିତ,

ତାହା ନଥିଲେ ଶାସନ ନୁହେ ସୁଶୋଭିତ ।

ଶତ୍ରୁତା ମିତ୍ରତା ବେନି ଶାସନ ବିଧାନ,

ସହିସିନା ସଦା ଥାଏ ନର ସାବଧାନ ।

 

ଶତ୍ରୁତା ନୁହଇ ମନ୍ଦ କରାଏ ସତର୍କ,

ସେ ନଥିଲେ ସ୍ୱଇଚ୍ଛାର ବଢ଼ାନ୍ତା ସମ୍ପର୍କ ।

ଶତ୍ରୁତା ଲୋକର ଦୋଷ ଚିହ୍ନାଇ ନିରତେ,

ଜାଗ୍ରତ କରାଇ ଦିଏ ନରେ ଭବିଷ୍ୟତେ ।

 

 

 

ପୌରୁଷ

ଧନ ଉପାର୍ଜନ ଦ୍ୱାରା କର୍ତ୍ତବ୍ୟ ପାଳନ,

ଶିକ୍ଷା ଶିକ୍ଷି ମନୁଷ୍ୟତା ନୁହେଁ କଦାଚନ ।

ଅଥବା ବିପୁଳ ଧନ ସମ୍ପତ୍ତିର ପତି,

ହୋଇଥିଲେ ମନୁଷ୍ୟକି ହୁଏ ମୂଢ଼ମତି ।

 

ଇଚ୍ଛାନତ ଅର୍ଥେ କଲେ ନିର୍ବାହ ଜୀବନ,

କିଣିଲେ ମୂର୍ଖ ପ୍ରଶଂସା ଦେଇ ବହୁଧନ ।

ବଡ଼ ବଡ଼ ଅଟ୍ଟାଳିକା ସ୍ୱାର୍ଥର ଉଦ୍ଦେଶେ,

ନିର୍ମାଣିଲେ ମନୁଷ୍ୟକି ହେବ ଅବଶେଷେ ।

 

ନ୍ୟାୟ ବିଜ୍ଞାନାଦି ଶାସ୍ତ୍ର ବର୍ଣ୍ଣନେ ପଣ୍ଡିତ;

ହେଲେ କି ମନୁଷ୍ୟ ହୋଇ ପାରିବ ନିଶ୍ଚିତ ।

ଲେଖା ପଢ଼ା ଥାଉଁ ଥାଉଁ ଯଦି ଅମାନୁଷ,

ଆଖ୍ୟାନକୁ ପାଅ ଆଉ ଅବା କି ମନୁଷ୍ୟ ।

 

ଧନବିଦ୍ୟା ସହିତରେ ମନୁଷ୍ୟତ୍ୱରତ,

ସମ୍ପର୍କ ନଥାଏ ତେତେ ଥାଏ ବାଇଷତ ।

ମନୁଷ୍ୟତ୍ୱ ପଦାର୍ଥଟି ଅଟଇ ପୃଥକ,

ଆତାର ସହିତ ତାର ଘନିଷ୍ଠ ସମ୍ପର୍କ ।

 

ମନୁଷ୍ୟତ୍ୱ ଲାଭ ହୁଏ ଆତ୍ମା ଉନ୍ନତିରେ,

ଆତ୍ମୋତ୍ସର୍ଗ ଯୋଗେ ସ୍ୱର୍ଗ ଥାଏଟି କତିରେ ।

ଆତ୍ମରକ୍ଷା କରି ମାତ୍ର ଆତ୍ମା ପରଲାଗି,

ବିସର୍ଜନ କରିବାରେ ସଦା ଥିବ ଜାଣି ।

 

ମାନସ ସଞ୍ଜତ ହୋଇ ଯଦ୍ୟପି ନପାରେ,

ଚିତ୍ତ ବୃତ୍ତଗଣ ବଶ ହେବେ କି ପ୍ରକାରେ ।

ଷଡ଼ରିପୁଙ୍କ ସହିତ ଚକ୍ଷୁ ପଦ କର୍ଣ୍ଣ,

ହସ୍ତାଦି ସଞ୍ଜମ କରି କର ସୁସାଧନ ।

 

ସର୍ବ ପ୍ରଥମେ ଜିହ୍ୱାକୁ କର ଆଶ୍ୱାସନ,

ତାହା କୁଅଭ୍ୟାସ ଯୋଗେ ସବୁ ବିଡ଼ମ୍ବନ ।

ଜିହ୍ୱା ଅଭ୍ୟାସର ବଶ ଅଟେଟି ନିରତ,

ଚାଖିଣ ଅନୃତ ସ୍ୱାଦ ହରାଏ ମହତ ।

 

ହୃଦୟଟି ମନୁଷ୍ୟତ୍ୱ ଦ୍ରବ୍ୟର ଆଳୟ,

ବ୍ୟବହାରେ ମିଳେ ତାର ସବୁ ପରିଚୟ ।

ଯଥାର୍ଥରେ ବ୍ୟବହାର ଗୁଣରେ ମନୁଷ୍ୟ,

ପୁଣି ବ୍ୟବହାର ଦୋଷ-ବଶେ ଅମାନୁଷ ।

 

ମନୁଷ୍ୟତ୍ୱ ଗୁଣ ଆସେ ଶିକ୍ଷା ପ୍ରଭାବରେ;

ବୁଝପାର୍ଥକ୍ୟ ସୁଶିକ୍ଷା କୁଶିକ୍ଷା ଭିତରେ ।

 

ଉବ୍ଦୋଧନ

ରାଜଭକ୍ତ ପ୍ରଜା ହୋଇ ରାଜାଙ୍କ ଶାସନ,

ନମ୍ରଭାବେ ସମାଦରେ କର ହେ ପାଳନ ।

ରାଜା ଆଜ୍ଞା ଅଲଙ୍ଘନ କରିବା ସୁଗୁଣ,

ଅଭ୍ୟାସରେ ସେହିଗୁଣ କର ଶତଗୁଣ ।

 

ଚେତନେ ଶୟନେ ସ୍ୱପ୍ନେ ସକଳ ସମୟେ,

ଲାଗ ଲାଗ ଦେଶଭାଷା ଉନ୍ନତି ବିଷୟେ ।

କର୍ମକର କର୍ମେ ସବୁ କରିଣ ନିର୍ଭର,

କର୍ମକୁ ଦେବତା ତୁଲ୍ୟ ବୋଲି ଜ୍ଞାନକର ।

 

ଦେଖ ଦେଖ କେଉଁପରି ପୂର୍ବ ପିତୃ ଆର୍ଯ୍ୟ,

ରଖିଗଲେ ଏଉତ୍କଳେ କେତେ ସାଧୁକାର୍ଯ୍ୟ ।

ତାହାଙ୍କର ବଂଶଧର ହୋଇଣ ସକଳେ,

ହରାଇଲ ସେ ଗୌରବ ଦୂରଦୃଷ୍ଟି ବଳେ ।

 

ଅନ୍ୟାନ୍ୟ ଜାତି ଅପେକ୍ଷା ହୀନତରୁ ହୀନ,

ହୋଇଅଛ ତୁମ୍ଭେ ସିନା ସହାୟ ବିହୀନ ।

ଯତ୍ନେ କାର୍ଯ୍ୟକଲେ ନିଶ୍ଚେ ଉତ୍କଳ ଗଗନେ,

ଉଇଁବ ଉନ୍ନତି-ରବି ସମ୍ପୂର୍ଣ୍ଣେ ବହନେ ।

 

ସ୍ୱାର୍ଥପର ନୋହି ସର୍ବେ ଦେଇ ମନ ଧନ,

କର ସ୍ୱଦେଶ ସ୍ୱଭାଷା ଉନ୍ନତି ସାଧନ ।

ନ ଛାଡ଼ ଜାତୀୟ ଭାବ ମୁହୂର୍ତ୍ତକ ପାଇଁ,

ଜାତୀୟ ଜୀବନ ବିନା ଅନ୍ୟ ଗତି ନାହିଁ ।

 

ପାଶ୍ଚାତ୍ୟ ଆଲୋକ ପାଇ ଅଭିମାନେ ଜାଗି,

କାର୍ଯ୍ୟକର ପୂର୍ବାବସ୍ଥା ପାଇବାର ଲାଗି ।

ଯତ୍ନକଲେ ରତ୍ନ ମିଳେ ଏ ସାର ବଚନ,

ହତାଶ ହୋଇଲେ ନୁହେଁ କାର୍ଯ୍ୟ କଦାଚନ ।

 

ମାଟିକରି କାଟ ନାହିଁ ଅମୂଲ୍ୟ ଜୀବନ,

ଆଳସ୍ୟ ବିଳାସ ପଙ୍କେ ହୋଇଣ ମନ୍ଥନ ।

ବିଧିମତରେ ନିୟମ କରିଅଛି ବିଧି,

ସାଧନ ବଳେ ବାଞ୍ଛିତ କାର୍ଯ୍ୟ ହୁଏ ସିଧି ।

 

କର କାର୍ଯ୍ୟ ଧରି ଧୈର୍ଯ୍ୟ ହୋଇ ସାବଧାନ,

ସମୀଚୀନ କାର୍ଯ୍ୟ ସିନା ସାର ଉପାଦାନ ।

ସ୍ୱଦେଶର କାର୍ଯ୍ୟପଥେ ହୋଇଣ ପଥିକ,

ପଥ ଶ୍ରାନ୍ତ-ନୋହ କ୍ରମେ ଚଳ ସମଧିକ ।

 

ଜାଗ ଜାଗ କର୍ମ ଯୋଗେ ରଖି ଅନୁରାଗ,

ତୁମ୍ଭର କର୍ତ୍ତବ୍ୟ କାର୍ଯ୍ୟେ ବେଗେ ଲାଗ ଲାଗ ।

ଫଳିବ କେମନ୍ତ ବୀଜ ବୁଣିବ ଯେମନ୍ତ,

ଯେମନ୍ତ କରିବ କାର୍ଯ୍ୟ ହୋଇବ ତେମନ୍ତ ।

 

ଥରକରେ କଲା କର୍ମ ନୁହେ ଯଦି ସିଦ୍ଧି,

ନ ଛାଡ଼ି କରିବା ତାହା ଅଟେ କାର୍ଯ୍ୟ ବିଧି ।

ଉତ୍ସାହ ଅଟଇ କାର୍ଯ୍ୟ ପଥ ପ୍ରଦର୍ଶକ,

ସ୍ୱଦେଶାଭିମାନ ଗୁଣ କାର୍ଯ୍ୟର ସାଧକ ।

 

ଧନ କାର୍ଯ୍ୟ ସର୍ବାଙ୍ଗକୁ କରେ ସୁଗଠନ,

ମନ ତାର ଯତ୍ନ ନେଇ କରଇ ପାଳନ ।

ଜ୍ଞାନ-ଜ୍ୟୋତି ଦିଏ ନାଶି କୁସଂସ୍କାର-ଧ୍ୱାନ୍ତ,

ଚିନ୍ତା ଶକ୍ତି ବତାଇଣ କରାଏ ଅଭ୍ରାନ୍ତ ।

 

ସଞ୍ଜମ-ଶିକ୍ଷକ ଯୋଗେ ସୁଶିକ୍ଷା ସମ୍ପାଦି,

ହୃଦ-ପେଟିକା ମଧ୍ୟରେ ରଖ ତା ଆଚ୍ଛାଦି ।

ନୈପୁଣ୍ୟ ସହିତେ କାର୍ଯ୍ୟ କଲେ ନ୍ୟାଯ୍ୟେଯବ,

ଆସିବ ଫେରି ବିଗତ-ଗୌରବ ବିଭବ ।

 

ମାଟି ତୁଲେ ଦୀର୍ଘକାଳ ଘର୍ଷଣେ ପାଷାଣ,

ସରିଯାଏ ଯେଉଁପରି ହେଲେହେଁ ସେ ଟାଣ ।

ସେହିପରି ବାରମ୍ବାର ସୁଦୃଢ଼ କୌଶଳେ,

ଅସାଧ୍ୟ ସୁଧ୍ୟ ହୋଇ ଥିଲା ଏ ଉତ୍କଳେ ।

 

ଆହା ଉତ୍କଳ ମାତାର ଛିନ୍ନ କଳେବର,

ପଡ଼ିଛି ଦ୍ଵିଭାଗ ହୋଇ ଦକ୍ଷିଣ ଉତ୍ତର ।

ଅଛି ଭରସା ବ୍ରିଟୀଶ-କେଶରୀ କୃପାରେ,

ମାତା ଦ୍ୱିଖଣ୍ଡିତ ଅଙ୍ଗ ଯୋଡ଼ି ଯିବ ବାରେ ।

ସମ୍ପତ୍ତି

ଧନ୍ୟ ଧନ୍ୟ ସମ୍ପତ୍ତି ଲୋ ଶକ୍ତି ପ୍ରକାଶିକା,

ବିଶ୍ୱ ମୋହିନୀ ମନ୍ତର ଯନ୍ତ୍ରର ଜୀବିକା ।

ନାନା ରୂପଧରି ଭ୍ରମୁ ତୁହି ଏ ସଂସାର,

ତୋର ଲାଗି ଘଟେ ସଦା ସାର ବା ଅସାର ।

 

ସବୁ ରୂପଠାରୁ ଟଙ୍କା ସୌମ୍ୟ ରୂପ ହୋଇ,

ମାନବ ସଞ୍ଜତ ମନ ଦେ ମୋହେ ମୋହି ।

ପଡ଼ନ୍ତି ନରକେ ପ୍ରାଣୀ ଗଣେ ତୋ କୁଯୋଗେ,

ପୁଣି ହିଁ ବସନ୍ତି ସ୍ୱର୍ଗ-ଧାମେ ତୋହ ଯୋଗେ ।

 

ଧର୍ମ ଅର୍ଥ କାମ ମୋକ୍ଷ ଚତୁବର୍ଗ ଫଳ,

ପ୍ରାପ୍ତ-ପଥ-ପ୍ରଦର୍ଶିକା ତୁହି ଲୋ କେବଳ ।

ଯାହାଘରେ ଅଟୁ ତୁହି ଅଚଳା ଘରଣୀ,

ନୀଚହେଲେ ସେ ଗୃହସ୍ଥ ହୁଅଇ ଅଗ୍ରଣୀ ।

 

ତୋ କୃପାରେ ହୁଏ ନର ସର୍ବ ଅଧିକାରୀ,

ତୋ କରୁଣା ଉଣାବଶୁଁ ଦାଣ୍ଡର ଭିକାରୀ ।

ଯାରପ୍ରତି ସୁପ୍ରସନ୍ନ ଦେଉ ତୁହି ପୁଣି,

ନଥାଉ ପଛକେ ଗୁଣ ବୋଲାଏ ସେ ଗୁଣୀ ।

 

କ୍ଷଣପ୍ରଭା ନ୍ୟାୟ ଗୃହେ ଗୃହେ ହେଉ ସ୍ଥାୟୀ,

କ୍ଷଣେ କରୁ ବୁଦ୍ଧିମାନ କ୍ଷଣେ କରୁ ବାଇ ।

ଅସାଧ୍ୟ ତୋହର ବଳେ ହୁଅଇ ସୁସାଧ୍ୟ,

ଉଚ୍ଚ ନୀଚ ଭାବବହି ହୁଏ ତୋ ଆରାଧ୍ୟ ।

 

ତୋ ମହାଶକ୍ତିରେ ଯେହୁ ଅଟେ ଶକ୍ତି ବନ୍ତ,

ତାହାର ପ୍ରମ୍ମୁଖେ କିଏ ନୋହିବ ଆନତ ।

ତୁହି ଏକ ମାତ୍ର ଅଟୁ ଜଗତ ନିୟତି,

ଜଗତର ଶକ୍ତି ମଧ୍ୟେ ତୁ ଅଦ୍ୟାଶକତି ।

 

ଆୟତ୍ତ କରଣେ ତୋତେ ସଭିଙ୍କ ବାସନା,

ନୋହିଣ ଅଧୀନା ମାତ୍ର କରୁ ତୁ ବଞ୍ଚନା ।

ଧନ୍ୟ ତୁଲୋ କୁହକିନି ! ଭଲା ତୋ କୁହକ,

ମନ୍ତ୍ର-ଯନ୍ତ୍ର-ତନ୍ତ୍ର-ରଥେ ଅଟେ ସେ ବାହିକ ।

 

ତୋହ ବିନା ପ୍ରଭୁପଣ ବିସ୍ତାର ଜଗତେ,

କରି ନାହିଁ ଆଉ କେହି ଏହିବିଧି ମତେ ।

ସହାୟ ବ୍ୟତୀତ ତୋର ଗତି ନାହିଁ ଲବେ,

ସମସ୍ତଙ୍କ ହସ୍ତ ପଦ ଅଟୁ ତୁହି ଭବେ ।

 

ଜୀବନ ରକ୍ଷିଣୀ ତୁହିଁ ଜୀବନ ନାଶିନୀ,

ଲୋଭୀ ନେତ୍ରେ ସୁଧା ଯୋଗୀ ନୟନେ ସର୍ପିଣୀ ।

ବିମନ ମୋହିନୀ ତୁ ଲୋ ତୋ ରୂପର ଠାଣି,

ନ ଦେଖୁଣୁ ନାମ ଶୁଣି ମନ ନିଏ ଟାଣି ।

 

ତୋ ତଡ଼ିତ ଶକ୍ତି ଯୋଗେ ଜନେ ଇତସ୍ତତ,

ଅଗ୍ନିଦଗ୍ଧ ବନ ମଧ୍ୟେ ମୃଗ ହେଲା ବତ ।

ମରନ୍ତି ଅନଳେ ପଡ଼ି ପତଙ୍ଗ ଯେସନ,

ବିନଷ୍ଟ ହୁଅନ୍ତି ନରେ ତୋ ବଶେ ତେସନ ।

 

ତୋହ ମୋହ ପାଶେ ପଡ଼ି ହୋଇ ଲାଳାୟିତ,

କେତେ କେତେ ଦେଶ ରକ୍ତେ ହୁଅଇ ପ୍ଳାବିତ ।

ପୁଣି ତୋହଲାଗି ଲୋକେ ବୋଲାଇଣ ଧନୀ,

ଆତ୍ମ ବିସ୍ମୃତ ହୁଅନ୍ତି ତୋତେ ସୁଖମଣି ।

 

ତୋ ମାୟା ଜାଲରେ ପଡ଼ି ମାନବ ସକଳ,

ତୋ ପଦେ ସ୍ୱାତନ୍ତ୍ର୍ୟ ବିକି ଦିଅନ୍ତି କେବଳ ।

ଜୀବନ ସଂଗ୍ରାମେ ତୋର ନ ନେଇ ଆଶ୍ରୟ,

ସଂସାରେ ଚଳିବା ଅତି ଦୂରୁହ ବିଷୟ ।

 

ଯେ ପ୍ରହରୀ କାର୍ଯ୍ୟମାନ କରିପାରେ ଯେତେ,

ତା ଗୃହେ ବିଶ୍ରାମ ନେଇ ରହୁ ଦିନ କେତେ ।

ପ୍ରଦୃଷ୍ଟ କରାଇ ଦେଉ ଜନେ ଅଳ୍ପ କାଳ,

ପରକ୍ଷଣେ ପେଷୁ ଦୁଃଖ ଦାରିଦ୍ର ଜଞ୍ଜାଳ ।

 

ତୋତେ ଲଭି ସୁଖୀ ମଣେ ଯେଜନ ଯେତିକି,

ସନ୍ତାପ-ସାଗରେ ସେହୁ ବୁଡ଼ଇ ତେତିକି ।

ତୋ ମହିଁମା ସମୋପମା ନାହିଁ ନାହିଁ ଆନ,

ମର୍ତ୍ତ୍ୟରୁ ସ୍ୱର୍ଗକୁ ତୁହି ପ୍ରଧାନ ସୋପାନ ।

 

ଯଦି ଥିବୁ ମୋ ସଦନେ ରହି ଏହି ମତେ,

କରାଅ ଦୀକ୍ଷିତ ମୋତେ ଦେଶ ହିତ ବ୍ରତେ ।

 

 

 

ତପୋବନ

ଏ ବିଶାଳ ଭୂମଣ୍ଡଳ ମହା ତପୋବନ,

କରେ ନର ଏଥି କର୍ମ ତପସ୍ୟା ଚରଣ ।

କର୍ମ ଯାଗ, କର୍ମ ବ୍ରତ କର୍ମହିଁ ତପସ,

ବୁଝେ କର୍ମ ଯୋଗୀ ଏକା ଏଗୁଢ଼ ସମସ୍ୟା ।

 

ମାନବ ଶରୀର ନିଶ୍ଚେ ତପୋବନ କଳ୍ପ,

ଜୀବାତ୍ମା-ତପସ୍ୱୀ ତହିଁ ସାଥେ ଘୋର ତପ ।

ଭକ୍ତି ସେହି ତପୋବନେ ମନ୍ଦାକିନୀ ଧାରା,

ଷଡ଼୍ରିପୁସ୍ୱାପଦ ପକ୍ଷେ ଅଟେ ତାହା କାରା ।

 

ଉପୁଜେ ତହିଁରେ ବହୁଁ ସୁଜ୍ଞାନ-ଚନ୍ଦନ,

ପର୍ଯ୍ୟୁସିତ ନୁହେଁ ତଥା-ବିବେକ-ସୂମନ ।

ବିଦ୍ୟାଳୟ ଆଉ ଏକ ଶ୍ରେଷ୍ଠ ତପୋବନ,

କରି ଦିଏ ଚିତ୍ତଶୁଦ୍ଧି ସେହୁ ସଂସାଧନ ।

ବାଣୀ ତପୋବନେ ମୋର ଭ୍ରମିବାକୁ ଆଶା,

ପ୍ରଦାନେ ଆଘାତ ତହିଁ ସଂସାର ପିପାସା ।

 

(ସମ୍ପୂର୍ଣ୍ଣ)