Unknown

ପୁରୀକ୍ଷେତ୍ର

ରାଜା ହରିଚନ୍ଦନ ଜଗଦେବ

 

ଜୁହାରେ କିଙ୍କର ତବ ପଦେ ଗୋ ଭାରତି

କର ଆଶୀର୍ବାଦ ଜବ ଘେନି ମୋ ବିନତି ।

ବର୍ଣ୍ଣିବାକୁ ପୁରୀକ୍ଷେତ୍ର ବଳିଛି ମାନସ,

କିନ୍ତୁ ତାହା ମୋ ପକ୍ଷରେ ଅତି ଦୁଃସାହସ ।

କେବଳ ଭରସା ତୁମ୍ଭ ବରଦ ଚରଣ,

ଦୀନର ଏ ଦୀନ ଆଶା କର ମୋ ପୂରଣ ।

ବସିଛି ଲେଖନୀ ଧରି ତୁମ୍ଭଙ୍କୁ ଅପେକ୍ଷି,

ଶ୍ରୀମୁଖୁ ଶୁଣିବି ଯାହା ଯିବି ତାହା ଲେଖି ।

ଅଯୋଗ୍ୟ ମୁଁ, ଶୁଣିଅଛି ପୁରାଣ ମୁଖରେ,

ତବ କୃପା ସମାଧିକ ଅଯୋଗ୍ୟ ଉପରେ ।

ଏଣୁ ବାନ୍ଧିଅଛି ଦୃଢ଼େ ନିରାଶାରେ ଆଶା,

ଶମିବ ନିଶ୍ଚୟ ଦେବି, ମୋ ପ୍ରାଣପିପାସା ।

ସାହିତ୍ୟପ୍ରସୂତି ସତି ! ଏତିକି ମୋ ଅଳି,

ଘେନା ହେଉ ବାତ୍ସଲ୍ୟେ ଏ ଭକ୍ତି-ପୁଷ୍ପାଞ୍ଜଳି ।

ସ୍ୱର୍ଗୀୟ-ସୁଷମା-ସ୍ୱନେ ସର୍ବଦା ସୁନ୍ଦର,

ଅବନୀ ମଧ୍ୟରେ ଯାର ନାହିଁ ପଟାନ୍ତର ।

ସେହି ସ୍ୱର୍ଗଦ୍ୱାର ରାଜେ ବେଳା ବାଲିମୟ,

ବାଲି ନୁହେ ତାହା ନିଶ୍ଚେ ସ୍ୱର୍ଣ୍ଣ ଚୂର୍ଣ୍ଣଚୟ ।

ରହସ୍ୟ ତାହାର ଗୂଢ଼ ନାହିଁ କେହି ଜାଣି,

ଜାଣଇ ତା’ ସାର ମର୍ମ ବିଶ୍ୱର ବିନ୍ଧାଣୀ ।

ସୈକତ ବକ୍ଷରେ ଛିଡ଼ା ରତ୍ନାକରପଡ଼ା,

ଅମରାବତୀର ଛାଞ୍ଚେ ହୋଇଅଛି ଗଢ଼ା ।

ସଲିଳ କଲ୍ଲୋଳ ରୋଳେ ଚିର ମୁଖରିତ,

ସିନ୍ଧୁବାହୀ ଖରବାତେ ସତତ ବନ୍ଦିତ ।

ସେ ବସତି ପ୍ରାଚୀଦିଗେ ଚକ୍ରତୀର୍ଥ ଥାଇ

ସଙ୍କେତରେ ସ୍ୱର୍ଗଦ୍ୱାରେ ଦେଉଛି ଚିହ୍ନାଇ ।

ଚକ୍ରବର ପ୍ରଦ୍ୟୁମ୍ନଙ୍କ ଜୀବନ ବିନାଶି

ବାଙ୍କି ମୁହାଣ ସମୀପେ ପଡ଼ିବାରୁ ଆସି,

ସେ ଦିନରୁ ଚକ୍ରତୀର୍ଥ ନାମରେ ବିଖ୍ୟାତ,

ସ୍ପର୍ଶ ମାତ୍ରେ ପାପ ତାପ କରେ ସେ ନିପାତ ।

ଦୂରେ ଦିଶେ ସିନ୍ଧୁକୂଳେ ବାଲିସ୍ତୂପମାନ,

ଉଭା ଯଥା ସ୍ତରେ ସ୍ତରେ ଧ୍ରୁବ ସାନୁମାନ ।

ତା’ ବାରୁଣୀ ଦିଗେ ପୁଣି ନୁଳିଆ ବସତି,

ସିନ୍ଧୁ ମତ୍ସ୍ୟ ଯେ ଜାତିର ଅକ୍ଷୟ ସମ୍ପତ୍ତି ।

ନିତି ସାମୁଦ୍ରିକ ମତ୍ସ୍ୟ କରି ଧରା ବିକା

କରନ୍ତି ନିର୍ବାହ ତହିଁ ଜୀବନଜୀବିକା ।

ପୁଣି କେହି ନୁହେ ବଡ଼ କେହି ନୁହେ ସାନ,

ବର୍ଣ୍ଣେ ଧର୍ମେ କର୍ମେ ଗୁଣେ ସମସ୍ତେ ସମାନ ।

ସେ ବସତି ପୂର୍ବ ପ୍ରାନ୍ତେ ବାଲିସ୍ତୂପଶିର

ବିମଣ୍ଡିତ କ୍ଷୁଦ୍ର କ୍ଷୁଦ୍ର ମନ୍ଦିରେ ରୁଚିର ।

ସେ ସ୍ଥଳରେ ସପ୍ତଫେଣୀ ହୋଇ ଲଗାଲଗି

ଦିଶେ ଯଥା ଛନ୍ଦାଛନ୍ଦି ପନ୍ନଗ ପନ୍ନଗୀ ।

ସୁନ୍ଦର ତନୁରେ ଦିଶେ ଦଦ୍ରୁରୋଗ ଯଥା,

ସୌଧାବଳୀ ମଧ୍ୟେ ସ୍ଥିତ ସେ ବସତି ତଥା ।

ହର୍ମ୍ୟଶ୍ରେଣୀ ମଧ୍ୟେ ମଧ୍ୟ ଥାଇ ଏ ବସତି,

ବଡ଼ଲୋକୀ ଭାବ ପଶି ନାହିଁ ତାହା କତି ।

ପୂର୍ଣ୍ଣ ଆଡ଼ମ୍ବର ସିନା ଆଣେ ଦୋଷଗୁଣ,

ଶୂନ୍ୟ ଆଡ଼ମ୍ବର ମାତ୍ର ପ୍ରଦାନେ ସୁଗୁଣ ।

ବିଭଙ୍ଗ-ତରଙ୍ଗ-ଧୌତ ସେ ବାଲୁକାକୂଳ,

ବଡ଼ ସାନ ରମ୍ୟ ହର୍ମ୍ୟପନ୍ତିରେ ମଞ୍ଜୁଳ ।

ବାଲୁକା ସରଣୀଶ୍ରେଣୀ ହେଲେହେଁ ବନ୍ଧୁର

ଜଣାଯାଏ ନାହିଁ ଶ୍ରମ ଗଲେ କେତେ ଦୂର ।

ନାହିଁ ତହିଁ ତରୁ ଲତା କେତକୀ ବା କିଆ,

ସପ୍ତଫେଣୀ ଗୁଳ୍ମେ ପୂର୍ଣ୍ଣ କେତେକ ପଡ଼ିଆ ।

ବିଧିର ବିଧାନ ଅଟେ ଅତ୍ୟନ୍ତ ବିଚିତ୍ର,

ପବିତ୍ର କ୍ଷେତ୍ର ମଧ୍ୟରେ କି ବିକୃତ ଚିତ୍ର ।

ସେ ଶୁଷ୍କ ସୁଷମା ସୀମା ନୁହେ କିଛି କଳି,

ନ ଛୁଏଁ ତା’ କବିହୃଦ-ନିଳୟ-ଦେହଳୀ ।

ଅଜ୍ଞାତ ବିଚିତ୍ର ଏହି ସଂସାର-ପଟରେ

ନାନା ଚିତ୍ର ଅଙ୍କା ଦେଖି ନର ଭୁଲି ମରେ ।

ବିଷାକ୍ତ କୁସୁମେ ସୁଦ୍ଧା ଅଛି ମକରନ୍ଦ,

ପୁଣି ବିଷ ପୀୟୂଷର ରହିଛି ସମ୍ବନ୍ଧ ।

ଠାବେ ଠାବେ ଗୃହମାନ ଅବସ୍ଥିତ ଯହିଁ,

ପଡ଼ୋଶୀ ଶବ୍ଦର ସତ୍ତା ଆଉ ନାହିଁ ତହିଁ ।

ନୋହିବାରୁ ଏଥି ଗୁଳ୍ମ ଲତାର ଉଦ୍ଭବ,

ବଢ଼ିଛି ସପ୍ତଫେଣୀର ତେଣୁହିଁ ଗୌରବ ।

ସ୍ୱଭାବରେ ଉଚ୍ଚ ଗୁଣ ଯେଠାବେ ଅଭାବ,

ପ୍ରସାରିତ ହୁଏ ତହିଁ ନୀଚତା ପ୍ରଭାବ ।

ବାରୀନ୍ଦ୍ର-ସିକତା-ତୀର ସିତକର କରେ

ଚାନ୍ଦନୀ ନିଶିରେ କେଡ଼େ ଚାରୁ ବେଶ ଧରେ ।

ସିନ୍ଧୁକୁ ପ୍ରକୃତିଦେବୀ କରିଣ ବରଣ

ଗୈରିକ କୌଷେୟ ବାସ କରେ କି ଅର୍ପଣ ?

ଶୋଭେ ଘନ-ଚନ୍ଦ୍ରାତପ ଅନମ୍ବର ଶିରେ,

ଆତପ ସନ୍ତାପ ତହୁଁ ନ ପଶେ ଶରୀରେ ।

ବାରିଧି ମନ୍ଥନେ ଜାତ ହୁଅନ୍ତେ ଅମୃତ,

ତାର ଶେଷ ଅଂଶ ହେଲା ଲବଣେ ସଂଯତ ।

ସେ ନୀଳ ଅମ୍ବୁରେ ମିଶି ଥିବା ଯୋଗୁଁ ସୁଧା

ତା’ ସ୍ପର୍ଶିତ ବାୟୁ ଦୂର କରିଦିଏ କ୍ଷୁଧା ।

ଲହରୀ ବ୍ୟଜନ ଯଦି ନୁହେ ସୁଚାଳନ,

କ୍ଷୁଧା ସୁଦ୍ଧା ଆଦୌ ନୋହି ତୃଷ୍ଣା ହୁଏ ଘନ ।

ଗ୍ରହୀତାର ଇଚ୍ଛାମତ ଦ୍ରବ୍ୟ କରେ ଦାନ,

ସେଥିଯୋଗୁଁ ରତ୍ନାକର ନାମ ବିଦ୍ୟମାନ ।

ତ୍ରିଦିବେଶ ଦ୍ୱାରଦେଶେ ସଦା ସିନ୍ଧୁ-ଭାଟ

ନିର୍ଘୋଷେ ସାଧୁଙ୍କୁ ଡାକି ଦେଖାଉଛି ବାଟ ।

ବିଚାର-ଆଳୟ ଅଛି ଅନତିଦୂରରେ,

ପାପ ପୁଣ୍ୟ ତୁଳ ହୁଏ ନିଷ୍ପକ୍ଷଭାବରେ ।

ସ୍ୱର୍ଗଦ୍ୱାର ସମ୍ମୁଖର ସରଣୀ ପାର୍ଶ୍ୱରେ

ବିଦ୍ୟମାନ ଏକ ସ୍ଥାନ ବସତି ମଧ୍ୟରେ;

ଅନ୍ତିମ କାଳର ସେହୁ ସୁବିଶ୍ରାମ ସ୍ଥଳ,

ହୁଏ ତହିଁ ପୁଣ୍ୟାତ୍ମାଙ୍କ ଶରୀର ବଦଳ ।

ଜନପଦ ମଧ୍ୟେ ସ୍ଥିତ ଏ ନିର୍ଜ୍ଜନ ସ୍ଥଳୀ,

ନାହିଁ କାହିଁ ଏହି ଭବେ ଶ୍ମଶାନ ଏଭଳି ।

ମାନବକୁ ଅନ୍ତକାଳେ ଦେଖି ନିରାଶ୍ରୟ

ନିଜ ଅଙ୍କ-ପଲଙ୍କରେ ଦିଏ ଚିରାଶ୍ରୟ ।

ଜୀର୍ଣ୍ଣ ଭଗ୍ନ ଅକର୍ମଣ୍ୟ ତନୁ-ସୌଧାବଳୀ-

ଗଠନର ସୁପ୍ରଶସ୍ତ ବିଶ୍ୱକର୍ମା ସ୍ଥଳୀ ।

ତହିଁ ନାହିଁ ଉଚ୍ଚ ନୀଚ ଭେଦାଭେଦ ଜ୍ଞାନ,

ସାମ୍ୟମୟୀ ସେ ଭୂମିରେ ସମସ୍ତେ ସମାନ ।

କେଶରୀବଂଶ-ସମ୍ଭୂତ କେତେକ କେଶରୀ

ଭବାରଣ୍ୟ ତେଜି ଥିଲେ ଏ ସ୍ଥାନ ଆଦରି ।

କେତେ କେତେ ଗଙ୍ଗବଂଶୀ ରାଜନ୍ୟମଣ୍ଡଳୀ

ଏ ସ୍ଥଳେ ବିଶ୍ରାମ ନେଲେ ସୁଖସୀମା କଳି ।

ପୁଣି କେତେ କେତେ ଭୋଇ ବଂଶ ନୃପଚୟ

ବିଶ୍ରାମ ସକାଶେ ନେଲେ ଏ ଶ୍ମଶାନାଶ୍ରୟ ।

ଏ ଶ୍ମଶାନେ ପ୍ରଜ୍ୱଳିତ ରୁଦ୍ର ଚିତାନଳ,

କ୍ଷଣିକ ବୈରାଗ୍ୟେ କରେ ମାନବେ ପାଗଳ ।

ପରମ ପବିତ୍ର ଏହି ମହାନ ଶ୍ମଶାନ,

ନବ ଦେହ ଗଠନର ପ୍ରଧାନ ସୋପାନ ।

ସ୍ୱର୍ଗୀୟ ସମଦର୍ଶିତା ଗୁଣେ ସେ ଶ୍ମଶାନ

ପୁଣ୍ୟ ସ୍ୱର୍ଗଦ୍ୱାରେ ସିନା ପାଇଅଛି ସ୍ଥାନ ।

କେହି ମୃଗାଜିନ କେବା ରାଜସିଂହାସନ

ତେଜି ନିବସନ୍ତି ମଣି ଅନ୍ତିମ ଭବନ ।

ନୀଳ ଲବଣାମ୍ବୁତଟେ ସ୍ୱର୍ଗଦ୍ୱାର ପାଶେ

ଶଙ୍କରାଚାର୍ଯ୍ୟଙ୍କ ପୀଠ ମହିମା ପ୍ରକାଶେ ।

ଯେଉଁ ଶଙ୍କର ଆଚାର୍ଯ୍ୟ ଶଙ୍କରାବତାର,

ତାହାଙ୍କ ଯୋଗେ ଶଙ୍କର ମତ ସୁପ୍ରଚାର ।

ତାଙ୍କ ଦଣ୍ଡ ମାର୍ତ୍ତଣ୍ଡାଂଶୁ କମଣ୍ଡଳ ଶଶୀ

ପ୍ରକାଶେ ଭାରତାକାଶେ ଜ୍ଞାନାଭା ପରଶି ।

କବୀର ଆଶ୍ରମ ପୁଣି ତହିଁ ସନ୍ନିକଟେ,

ବୈଷ୍ଣବ ମତ ସୁତତ୍ତ୍ୱ ତହୁଁ ପରକଟେ ।

ଶଙ୍ଖତୀର୍ଥ ଶଙ୍ଖଶବ୍ଦେ ସୃଜେ କୋଳାହଳ,

ସୁଦୂର ଅଦୂରଯାତ୍ରୀ ସଙ୍ଗମେ ଗହଳ ।

ସର୍ବତୀର୍ଥ ମଧ୍ୟେ ଶ୍ରେଷ୍ଠ କମ୍ବୁତୀର୍ଥ ଅଟେ,

ଅତଳ, ନୀଳ ଜଳଧି ଯା’ ପୟରେ ଖଟେ ।

ମହାସିକତା ମଧ୍ୟରେ ନୀଳାଚଳ ଧାମ,

ଭାରତେ ଚୌଧାମ ମଧ୍ୟେ ଟେକ ଯାର ନାମ ।

ଲୀଳାମୟ ମର୍ତ୍ତ୍ୟ ଲୀଳା ସକାଶରେ ଆସି

ହୋଇଛନ୍ତି ଏଥି ନୀଳ-ଅଦ୍ରି ଅଧିବାସୀ ।

ଉତ୍କଳ ଯାହାଙ୍କ ଲାଗି ସଦା ସମ୍ମାନିତ,

ଶ୍ରୀବତ୍ସ ଲାଞ୍ଛନେ ଯା’ ବକ୍ଷ ଲାଞ୍ଛିତ ।

ଭାରତବର୍ଷ ବତଂସ (୧) ମର୍ତ୍ତ୍ୟବୈକୁଣ୍ଠରେ

ଅବତୀର୍ଣ୍ଣ ମରାମରବନ୍ଦିତ ରୂପରେ ।

(୧) ଅଳଙ୍କାର

ସେ ନୀଳାଦ୍ରି ଦକ୍ଷିଣରେ କଳ୍ପବଟ ରହି,

ପ୍ରଳୟର ମୂକସାକ୍ଷୀ, ସାକ୍ଷକୁ ଦିଅଇ ।

ଯାହାର ପବିତ୍ର ପତ୍ର ମଧ୍ୟେ ଚିଦାତ୍ମନ

କରିଥିଲେ ମାର୍କଣ୍ଡେୟ ସ୍ୱନେତ୍ରେ ଦର୍ଶନ ।

ସେ କଳ୍ପପାଦପମୂଳେ ପାପିଗଣ ବସି

ଅବିଚ୍ଛିନ୍ନ ପାଶୀ ପାଶୁ ଯାଉଛନ୍ତି ଖସି ।

ବାଞ୍ଛାବଟ ଚିର ବାଞ୍ଛା କରିଦିଏ ସିଦ୍ଧି,

ଚତୁର୍ବର୍ଗ ଫଳଦାନ କଳ୍ପବଟ ବିଧି ।

ରୋହିଣୀ କୁଣ୍ଡ ମାହାତ୍ମ୍ୟ ଅଟେ ଅକଳିତ,

ଭୂଷଣ୍ଡ କାକରେ ତାହା ହୋଇଛି ଫଳିତ ।

ସୁଦର୍ଶନ ଆଚ୍ଛାଦିତ ସେ ରୋହିଣୀକୁଣ୍ଡ,

ମଧ୍ୟେ କାକ ଚତୁର୍ଭୁଜ ଅଛି ବୁଜି ତୁଣ୍ଡ ।

ମର୍ତ୍ତ୍ୟେ ସେହି କୁଣ୍ଡୋଦକ ଅମୃତପ୍ରକାର,

ତହିଁରେ ଅମରଙ୍କର ନାହିଁ ଅଧିକାର ।

ସେହି ସୁଧାବାରିକୁଣ୍ଡ ଅବସ୍ଥିତ ଯହିଁ,

କେତେ ବିତ୍ତ-ରକ୍ତ ଦ୍ୱିଜ-ଲୋକ ରୁଣ୍ଡ ତହିଁ ।

କୁଣ୍ଡ କଳ୍ପବଟ ମଧ୍ୟେ ମୁକ୍ତିବେଦୀ ଥାଇ

ସଙ୍କେତରେ ବ୍ରହ୍ମରୂପ ଦେଉଛି ଚିହ୍ନାଇ ।

ବିଧିବଶେ ହୋଇଅଛି ପୂର୍ବୁଁ ସମ୍ମାନିତ,

ସେ ସମ୍ମାନ କହି କେତେ ଉପାର୍ଜନ୍ତି ବିତ୍ତ ।

ପ୍ରତିଷ୍ଠିତ ଅଛି ତାହା ପାର୍ଶ୍ୱେ ପାଠାଗାର,

ବହୁ ଶାସ୍ତ୍ର ପୁରାଣର ବିପୁଳ ଭଣ୍ଡାର ।

ବିମଳା କମଳା ବାଣୀ ସଂସ୍ରବେ ରାଜିତ,

ନୀଳ ଅଚଳ ଚରମ ଶୋଭା ଅବର୍ଣ୍ଣିତ ।

ଚୈତନ୍ୟ ପଦାଙ୍କଯୁଗ ସେ ପ୍ରାଙ୍ଗଣେ ସ୍ଥିତ,

ପରମ ବୈଷ୍ଣବେ ଯହିଁ ଧରମ ଘୋଷିତ ।

ଚୈତନ୍ୟ ନାମେ ଚୈତନ୍ୟ ରୂପରେ ପ୍ରକଟି

ତନ୍ମୟ ଭାବ ଚୈତନ୍ୟ ପ୍ରେମେ ଥିଲେ ରଟି ।

ଚୈତନ୍ୟଚରିତାମୃତ ପ୍ରକୃତ ଅମୃତ,

ସେ ଅମୃତପାୟୀ କତି ଭୀତ ମୃତ୍ୟୁଦୂତ ।

ହରେକୃଷ୍ଣ ହରେରାମ କୀର୍ତ୍ତନ କଲ୍ଳୋଳ

ଖେଳେ ଭକ୍ତିପ୍ରେମାବ୍ଧିରେ ହୋଇ ସଦା ଲୋଳ ।

ସେ ଭକ୍ତି ମାଧୁରୀ ଆଣି ବୈକୁଣ୍ଠମାଧୁରୀ

ରଖିଛି ଏ କ୍ଷେତ୍ର କ୍ଷେତ୍ରେ କରି ସ୍ୱର୍ଗ ଜୁରି ।

ରାଜର୍ଷି ପ୍ରତାପରୁଦ୍ର ପୁଣ୍ୟ ରାଜପଣେ

ଉଇଁଲେ ଚୈତନ୍ୟ-ଚନ୍ଦ୍ର ଉତ୍କଳ ଗଗନେ ।

ତାଙ୍କ ପ୍ରେମକରେ ଭକ୍ତି-ସରେ ଆହ୍ଲାହିତ -

ହୋଇଣ ଭାବ-କୁମୁଦ ହୁଏ ପ୍ରସ୍ଫୁଟିତ ।

ସେ ଭାବ-କୁସୁମେ ମାଳା ଗୁନ୍ଥି ପୂଜନାର୍ଥେ

ସେ ପ୍ରତାପରୁଦ୍ର ଅର୍ପୁଥିଲେ ଜଗନ୍ନାଥେ ।

ନିରତେ ରସନା ରଟି ସେ ଅମୃତ ନାମ

ହୃଦୟାବ୍ଧ ପର୍ଯ୍ୟୁଷିତ ଭାବ କରୁ କ୍ଷାମ ।

ସେହି ହରି ହରି ମନ୍ତ୍ର ସ୍ମରଣ ଶକ୍ତିରେ

ଖେଳୁ, ମନ-ମୀନ ପ୍ରେମ ପୁଷ୍କରିଣୀନୀରେ ।

ଭବରଣେ ମୃତ୍ୟୁ-ଶତ୍ରୁ-ମାରଣ-ମାର୍ଗଣ

ସେହି ନାମ-ବର୍ମ ଯୋଗେ ହୁଏ ଅକାରଣ ।

ହସ୍ତିଦ୍ୱାର ପଶ୍ଚିମରେ ଦ୍ୱିତଳ ଗୃହଟି

ବୈକୁଣ୍ଠ ପୁରୀ ନାମରେ ରହିଛି ପ୍ରକଟି ।

ଦ୍ୱିକୂପ ଯମୁନା ଗଙ୍ଗା ଅବସ୍ଥିତ ଯହିଁ,

ଗଙ୍ଗା ଯମୁନା ମାହାତ୍ମ୍ୟ ପ୍ରକାଶନ୍ତି ରହି ।

ଦ୍ୱାବିଂଶ ପାବଚ୍ଛ ପାର୍ଶ୍ୱେ ଆନନ୍ଦ ବଜାର,

ଲାଗିଥାଏ କୈବଲ୍ୟର ନିତ୍ୟ କାରବାର ।

ତ୍ରିଦିବଦୁର୍ଲଭ ତାହା ମର୍ତ୍ତ୍ୟରେ ସୁଲଭ,

ଚିହ୍ନି ପାରେ ନାହିଁ ନର ସେ ମହାବିଭବ ।

ନୀଳ ଶିଖରୀ ଶିଖରେ ପତିତପାବନ-

ବାନା ଅଗ୍ରେ ଦର୍ଶାଉଛି, ପତିତପାବନ ।

ସେହି ପତିତପାବନ ରୂପ ସନ୍ଦର୍ଶନେ

ଲଭନ୍ତି ପତିତଗଣ ମୁକତି ବହନେ ।

ନୀଳାଚଳ ଚଉପାଶେ ରୁଚିର ପ୍ରାଚୀର

ରଖିଛି ପୁରୁଷୋତ୍ତମ-ନୃପ ନାମ ଚିର ।

ବିଶାଳ ଅରୁଣସ୍ତମ୍ଭ ସିଂହଦ୍ୱାର ମୁଖେ

ଅବସ୍ଥିତ ଲୌହବାଡ଼େ ବିସ୍ତାରି ମୟୁଖେ ।

ହିମ ଶିଶିର ବସନ୍ତ ଗ୍ରୀଷ୍ମ ବର୍ଷା ସହି

ଦେଉଳ ପ୍ରହରୀ ପ୍ରାୟ ଅଛି ସଦା ରହି ।

ପ୍ରଭୁ ବିଶ୍ୱାସ ସୁସେବା ଶିକ୍ଷା ଦୀକ୍ଷା ସର୍ବ

ସର୍ବଂସହା ମଧ୍ୟେ ସ୍ତମ୍ଭ କରାଏ ଉଦ୍ଭବ ।

ଜନ୍ମି ତାହା ପଦଦେଶୁ ପ୍ରଶସ୍ତ ବୃହତ-

ଦାଣ୍ଡ ବ୍ରହ୍ମାଣ୍ଡ ମଧ୍ୟରେ ବୋଲାଏ ମହତ ।

ତ୍ରିସ୍ୟନ୍ଦନ ଯାତାୟାତଯୋଗ୍ୟ ଯାର ପୃଷ୍ଠ,

ସ୍ୱର୍ଗ ମାର୍ଗଠାରୁ କିଁପା ନୋହିବ ଉତ୍କୃଷ୍ଟ ।

ସାଧୁ ସିଦ୍ଧ ଯେଉଁ ପୁଣ୍ୟ ରଜ ଅନୁରାଗ-

ବଶେ ବିଲେପନ୍ତି ଅଙ୍ଗେ ଯଥା ଅଙ୍ଗରାଗ ।

ନିରର୍ଥକ ତା’ ଜୀବନ, ଯେ ଥରେ ପିଣ୍ଡରେ

ଏହି ଧୂଳି ବୋଳି ନୋହିଅଛି ଏ ଦାଣ୍ଡରେ ।

ସେ ସ୍ମରଣୀ ବେନି ପାର୍ଶ୍ୱେ ବସିଛି ବିପଣି,

ନୁହେ ତହିଁ ବଡ଼ ସାନ ପଣ୍ୟାଗାର ଗଣି ।

ମିଷ୍ଟ ଦ୍ରବ୍ୟ ତାମ୍ର ସ୍ୱର୍ଣ୍ଣ ରଜତ ପିତ୍ତଳ

କଂସାଦି କାରବାରରେ ପସରା ଗହଳ ।

ଅହିଫେନ ପାନ ଆଦି ବିଜୟା ବିଜୟ-

ପାଇଁ ଅଛି ସ୍ଥାନେ ସ୍ଥାନେ ନିର୍ଦ୍ଦିଷ୍ଟ ଆଳୟ ।

ଇଷ୍ଟକ ପ୍ରସ୍ତରମୟ ଅଟ୍ଟାଳିକାଚୟ

ମଧ୍ୟେ ପୁଣି କ୍ଷୁଦ୍ର କ୍ଷୁଦ୍ର ତୃଣ ପତ୍ରାଳୟ ।

କିଣା ବିକା ଆଦି କାର୍ଯ୍ୟେ ସହର ଗହଳ,

କ୍ରେତା ବିକ୍ରେତାଙ୍କ ତର୍କ ବିତର୍କ ପ୍ରବଳ ।

କେ ନାରୀ ପଛକୁ ଚାହିଁ ହୃଦେ ବହି ଶଙ୍କା

କିଣୁଅଛି ବାଛି ବାଛି ଭଲ କାଚ ଶଙ୍ଖା ।

କେଉଁ ବାଳା ଗଳାପାଇଁ କିଣେ କାଚମାଳି,

କିଣଇ କାକତ କେହି କଳା ଲାଲ କାଳି ।

କେବଣ କାମିନୀ ବାଛେ ସିନ୍ଦୂରସମ୍ପୂଟ,

କିଏ ଅବା ମୂଲାଉଛି ବସି ଆରକୂଟ ।

କେଉଁ ବାଳୀ ହୋଇ ଉଭା ସ୍ୱାମିର ନିକଟ

କ୍ରୟ ଛଳେ ତର୍ଜନୀରେ ଚିହ୍ନାଉଛି ପଟ ।

କିଏ ଅବା କିଣୁଅଛି ମୁଦି ନାକଚଣା,

ବୁଲି କିଏ କିଣେ ପାନ ମିଠାଇ ବିଞ୍ଚଣା ।

କେବଣ ବଣିକ ବସି ତୁଳାଏ ପୁରଟ,

କିଏ ଦର ଶ୍ରବଣରେ ଚକିତ ନିପଟ

କିଏ କିଣେ ପାନମୁଣା ଗୁଆକାତି ଗୁଆ,

ପିଲାପାଇଁ କିଣେ କେହି କାଠଘୋଡ଼ା ଶୁଆ ।

କେ କିଣି ତୁଳସୀମାଳ ହୋଇ ଅତି ଭୋଳ,

ମୂଲାଇ ତିଳକମାଟି ଲଗାଇଛି ଗୋଳ ।

ମଞ୍ଜୁ ମଞ୍ଜୀରକୁ ଦେଖି କେବଣ ତରୁଣୀ

ପତିଠାରେ ହଟି କିଣେ ବେଶି ମୂଲ୍ୟେ ପୁଣି ।

କେଉଁ ଭିଷକ ଔଷଧପାଇଁ ମୃଗମଦ

କିଣି, ବୁଲେ କିଣିବାକୁ ଖୋଜିଣ ପାରଦ ।

କଉଡ଼ି ନ ଥାଇ କିଏ କରିଣ ବଞ୍ଚନା

ମୂଲାଉଅଛି କର୍ପୂର ପୁଣି ଗୋରୋଚନା ।

ଗୁଡ଼ିଆ ପସରା ମଧ୍ୟୁ ବାଛି ବାଛି ଲଡ଼ୁ

କିଏ କିଣେ ବିକି ଦେଇ ନିଜ ହାତ ଖଡ଼ୁ ।

ପାର୍ଥିବ ଦ୍ରବ୍ୟ ସହିତ ହୋଇ ସମତୁଲ୍ୟ

ଅପାର୍ଥିବ ନିର୍ମାଲ୍ୟର ଅଛି ମଧ୍ୟ ମୂଲ୍ୟ ।

କିଏ କିଣେ କରତାଳ ମୃଦଙ୍ଗାଦି ଘଣ୍ଟ,

ତହିଁ ମଧ୍ୟେ ରହିଥାନ୍ତି ନାନାମତ ଖଣ୍ଟ ।

ଆଖଡ଼ା ବାହୁଡ଼ା ବେଳେ କେତେ ଟେକି ଭାଙ୍ଗ

କପଟେ ବୁଲନ୍ତି ଦଳେ ଦଳେ ହୋଇ ସାଙ୍ଗ ।

କିଏ ଗଳି ବୁଲି ବୁଲି ହୋଇଣ ହାଲିଆ

ବସିବା ଛଳରେ ତହିଁ ମୂଲାଏ କରିଆ ।

କେତେକ ବୈଷ୍ଣବମାତା ସ୍ଥାନେ ସ୍ଥାନେ ବୁଲି

କରନ୍ତି ଦରକୁ ସ୍ଥିର କିଣିବାକୁ ଝୁଲି ।

ପ୍ରକୃତ ବୈଷ୍ମବମାତା ଅଛନ୍ତି ବିସ୍ତର,

ଆନ୍ତରିକ ଭକ୍ତିଭାବେ ଚିହ୍ନନ୍ତି ଈଶ୍ୱର ।

ବୈଷ୍ଣବ ଧରମ ଅଟେ ମୋକ୍ଷର କାରଣ,

ଅବୈଷ୍ଣବ ମାନବର ଜନ୍ମ ଅକାରଣ ।

ବଇଷ୍ଣବ ହୋଇଲେ କି ରାଢ଼ିର* ବିରାଡ଼ି,

ଘୃତ ଦୁଗ୍ଧ ଦେଲେ ମୀନ ପାରିବ କି ଛାଡ଼ି ?

* କୈବର୍ତ୍ତ ।

ବ୍ୟାଘ୍ର ଭାଲେ ରାମାନନ୍ଦୀ ଚିତା କାଟି ଦେଲେ,

ପଶୁ ଭକ୍ଷଣ କି ବନ୍ଦ ହେବ କ୍ଷଣେ ହେଲେ ?

ଶ୍ୱାନ କର୍ଣ୍ଣେ ହରେନାମ ଇତ୍ୟାଦି ମନ୍ତର

ଫୁଙ୍କିଲେ କି ପାସୋରିବ ଅଇଁଠାପତର ?

ପେଟ ବିକଳରେ କେତେ ହୋଇ ଛଟପଟ,

କଣ୍ଠି କୌପୀନ ଉହାଡ଼େ ଲୁଚାନ୍ତି କପଟ ।

ଅଙ୍ଗରେ ବିଭୂତି ବୋଳି କଲେ ବାଳ ଜଟା,

ଛପିବ କି କୁଚରିତ୍ର ଚିତ୍ରାଙ୍କିତ ପଟା ?

ତାହାଙ୍କର ମାୟା ଦୀକ୍ଷା କପଟ ମନ୍ତ୍ରରେ

କେତେ ଶିଷ୍ୟ ଉପଶିଷ୍ୟ ପଡ଼ନ୍ତି ଭ୍ରମରେ ।

କଷା ବାସ ବେଶ ବିନା ବ୍ରହ୍ମ ଉପାସନା

ନାହିଁ ବୋଲି କେହି କାହିଁ କରିଛି କଳ୍ପନା ?

ବହିରଙ୍ଗର ଅମ୍ବରେ ସ୍ୱରଙ୍ଗ ଚନ୍ଦ୍ରମା

ଲୁଚି ଯାଉଅଛି ସଞ୍ଚି ମହିମା ସୁଷମା ।

ଭାବି ଭାବି ଭବ ଭାବ ବନ ଚିତ୍ରାବଳୀ

ସଂକୀର୍ଣ୍ଣ ହୃଦୟପଟେ ନୁହେ ଭାଳି କଳି ।

ଅଛି କେତେ ବଡ଼ ବଡ଼ ସାନ ସାନ ମଠ,

ନିବସନ୍ତି ତହିଁ କେତେ ବୈଷ୍ଣବ କର୍ମଠ ।

ଗୃହୀ ପକ୍ଷେ ସେ ବୈଷ୍ଣବ ଧର୍ମ ଶିକ୍ଷାସ୍ଥଳୀ

ମାତ୍ର ତା’ କରି ନ ଦିଏ କଳି ପରବଳୀ ।

ସେହି ଧର୍ମହନ୍ତା କଳି ଧାର୍ମିକ ବିପକ୍ଷ,

ଅଭୀଷ୍ଟ ଅଲକ୍ଷଭାବେ ସାଧନେ ସୁଦକ୍ଷ ।

କାମ କ୍ରୋଧ ସହ ସେହୁ କରାଇ ମିଳିତ

ଅତର୍କେ କୁପଥେ ନରେ କରାଏ ଚାଳିତ ।

ମହା ମହା ଯୋଗୀ ମହାଧନୀ ମହାମାନୀ

ଚଳିବାର କଷ୍ଟକର ତା’ ଆଜ୍ଞା ନ ମାନି ।

ସେହି କଳି ପ୍ରରୋଚନେ କେତେ ସୁମହତ-

ସୁପଥ ବିପଥ ରୂପେ ହୁଏ ପରିଣତ ।

ମାତ୍ର ଏହି ସୁପବିତ୍ର ବୃହତ୍ତର ପଥ,

ଯା’ ମାହାତ୍ମ୍ୟ ବଳେ କଳି ବ୍ୟର୍ଥମନୋରଥ ।

ମହାମନା ଇନ୍ଦ୍ରଦ୍ୟୁମ୍ନ ସେ ପଥ ପ୍ରାନ୍ତରେ

କରିଥିଲେ ଅଶ୍ୱମେଧ ଯାଗ ଯୁଗାନ୍ତରେ ।

ଇନ୍ଦ୍ରଦ୍ୟୁମ୍ନ ପାଟରାଣୀ ଗୁଣ୍ଡିଚା ନାମରେ

ଗୁଣ୍ଡିଚାମଣ୍ଡପ ତହିଁ ଉଭା ନିରନ୍ତରେ ।

ତାର ପୃଷ୍ଠଭାଗେ ରାଜେ ଯେଉଁ ସରୋବର,

ଇନ୍ଦ୍ରଦ୍ୟୁମ୍ନ ସ୍ମୃତି ବହି ଦିଶେ ମନୋହର ।

ନୀଳାଚଳ ପୂର୍ବୋତ୍ତର ଦିଗେ ଯାର ସ୍ଥାନ,

ତା’ ପବିତ୍ର ତୀରବାସୀ ନିଶ୍ଚେ ଭାଗ୍ୟବାନ ।

ଧନ୍ୟ ଇନ୍ଦ୍ରଦ୍ୟୁମ୍ନ ରାଜା ଧନ୍ୟ କୀର୍ତ୍ତିତବ,

ତୁମ୍ଭ ଲାଗି ସିନା ମର୍ତ୍ତ୍ୟେ ବୈକୁଣ୍ଠ ସମ୍ଭବ ।

ଗାଇବା ଭଳି ମୁଁ ନୁହେ ତୁମ୍ଭ ଗୁଣଗ୍ରାମ,

ଗାଇଲେ ହୁଅନ୍ତି ଧନ୍ୟ ତୁମ୍ଭ ଦିବ୍ୟ ନାମ ।

ଗଭୀର ନିର୍ଘୋଷେ ଗାଏ ତବ ଗୁଣ ସିନ୍ଧୁ,

ପ୍ରକାଶେ ଅନନ୍ତାକାଶେ ତବ ଯଶ-ଇନ୍ଦୁ ।

ତବଦିବ୍ୟ ଭକ୍ତି ରତ୍ନପୂରିତ ଭଣ୍ଡାର-

ଗୁଣେ ଦିଶନ୍ତି ସାକାରେ ସିନା ନିରାକାର ।

ମର୍ତ୍ତ୍ୟଲୋକ ମଧ୍ୟେ ଦେବଲୋକସମବାୟ

କରି କରାଇଛ କ୍ଷେତ୍ରେ ପ୍ରଶସ୍ତ ହେ ରାୟ ।

ନିଷେବିତ ସର୍ବ ଧର୍ମ ମାନଚିତ୍ରବତ,

ଯେଉଁ ସୈକତବେଷ୍ଟିତ ନୀଳ ପରବତ,

ସେ ଚୂଳେ ଚିରାଳ ଚକ୍ର ଈନ ଇନ୍ଦୁପରି

ହୋଇଛନ୍ତି ପ୍ରକାଶିତ ଦିବସ ଶର୍ବରୀ ।

ମହାତୀର୍ଥରୂପେ ହୋଇ ପୂଜିତ ଲୋକରେ

ବିଦିତ ନରେନ୍ଦ୍ର ସର ଐଶାନ୍ୟ କୋଣରେ ।

ବୀଥି ବୀଥି ସୁବିସ୍ତୃତ ପ୍ରସ୍ତର ସୋପାନ,

ପ୍ରାଚୀନକାଳରୁ ତାହା ଅଛି ବିଦ୍ୟମାନ ।

ତହିଁ ମଧ୍ୟେ ମଞ୍ଚୋପରି ତ୍ରିକ୍ଷୁଦ୍ରାୟତନ

ମନ୍ଦିର ଶୋଭାରେ ଲୋଭା ନୋହିବ କା’ମନ ?

ଯହିଁ ଦେବଦେବୀ ନାବକେଳିରେ ମୋହିତ,

ତା ଦର୍ଶନେ କିଏ ଅବା ନୁହେ ପ୍ରମୁଦିତ ।

ଯାତ୍ରାକାଳେ କି ଗହଳ ସେ ତଡ଼ାଗକୂଳ,

ବିପୁଳ ବିଚିତ୍ର ପଣ୍ୟ ବୀଥୀ ସୁମଞ୍ଜୁଳ ।

ଅବାଧେ ଆବାଳବୃଦ୍ଧ ଦର୍ଶକସକଳ

ଭ୍ରମୁଥାନ୍ତି କୁତୂହଳେ ହୋଇ ଦଳ ଦଳ ।

କିଏ ବୁଲି ବୁଲି କିଣେ ଚଣା ଖଜା ଭୁଜା,

କିଏ ଭ୍ରମି ଦେଖେ ଦେବଯାତ୍ରା ପୁଣି ପୂଜା ।

ବାଳକଗଣ ମଧ୍ୟରୁ କେତେକେ କୁଣ୍ଢାଇ-

ପାଇଁ ଅଳି କରନ୍ତି ସ୍ୱ-ମାତାଙ୍କୁ କୁଣ୍ଢାଇ ।

ଘୂରି ବୁଲୁଥିଲା ବେଳେ ବାରି ମଧ୍ୟେ ତରୀ

ନୃତ୍ୟ ଗୀତ ଭକ୍ତିସ୍ରୋତ ବହେ ତଦୁପରି ।

ଦିବସ ଅପେକ୍ଷା ରାତ୍ରେ ବଢ଼େ ଯାତ୍ରାଭାତି,

ଏକବିଂଶ ଦିନେ ଭଜେ ସେ ଯାତ୍ରା ସମାପ୍ତି ।

ଅଛନ୍ତି ଗରଭେ ବହୁ ହାଙ୍ଗର କୁମ୍ଭୀର,

ନରେନ୍ଦ୍ର ପ୍ରଭାବେ ଏଥି ସ୍ୱଭାବେ ସୁଧୀର ।

ଦୁର୍ଗୁଣ ହୁଏ ସୁଗୁଣ ଅଧିକ ସୁଗୁଣେ,

ସୁଗୁଣ ହୁଏ ଦୁର୍ଗୁଣ ଅଧିକ ଦୁର୍ଗୁଣେ ।

ସେ ମାହାତ୍ମ୍ୟ କ୍ଷଣପ୍ରଭା ପ୍ରଭାବର ବଶେ

ଉପନୀତ ହୋଇଥିଲି ଉତ୍ସବ ଦିବସେ ।

ଦୂରରୁ ଅଠରନଳା ସେତୁର ଆକାର

ତରୁ ଅନ୍ତରାଳ ଭେଦି ଦିଶୁଛି ଉଦାର ।

ଅଦୂରରେ ‘‘ଜଗନ୍ନାଥ-ବଲ୍ଲଭ’’ ଉଦ୍ୟାନ

ଉପବୃନ୍ଦାବନ ପ୍ରାୟ ଅଛି ବିଦ୍ୟମାନ ।

ଫଳ ପୁଷ୍ପାଦିରେ ସଦା ମଣ୍ଡିତ ସେ ବନ,

ପାରେ ନାହିଁ ପଶି ତହିଁ ମାର୍ତ୍ତଣ୍ଡ କିରଣ ।

ବ୍ରତତୀ ଗହଳେ ବାରି ନୁହେ ବୃକ୍ଷମାନ,

ମଞ୍ଜୁଳ କୁଞ୍ଜ ସନ୍ନିଭ ଅଛି ନାନାସ୍ଥାନ ।

ଯମୁନାପୁଲିନେ ବ୍ରଜେ କୁଞ୍ଜବନ ଯଥା,

ଏ ବନ ନରେନ୍ଦ୍ର ତୀରେ ଶୋଭିତ ସର୍ବଥା ।

ତହିଁ ଅଛି ବୀଥି ବୀଥି ହୋଇ ବୃକ୍ଷମାନ,

ପରସ୍ପର ସମ୍ମିଳନେ ଲଭନ୍ତି ସମ୍ମାନ ।

ଚକ୍ର ଚନ୍ଦ୍ରାକୃତି ପୁଷ୍ପେ ଅଗସ୍ତି ମଣ୍ଡିତ,

ନାଗବଲ୍ଲୀ ଲତାପାଶେ ହୋଇଛି ବେଷ୍ଟିତ,

ପନସ ବିଶାଳଫଳେ ନମୀଭୂତ ଅତି,

ସନ୍ତାନବେଷ୍ଟିତ ଭାବ ଦର୍ଶାଉଛି ତଥି ।

ପ୍ରବେଶେ ବସନ୍ତକାଳ ମୁଦେ ପକ୍ଷିଗଣ

ଉଡ଼ି ଆସି ଫଳ ପତ୍ର କରନ୍ତି ଭକ୍ଷଣ ।

କେଉଁ ତରୁତଳ ଅତି ନିର୍ମଳ ମଞ୍ଜୁଳ,

ମୃତ୍ତିକାର ଆଳବାଳେ ସୁଗଠିତ ମୂଳ ।

ମନ୍ଦାର ମନ୍ଦାର ଦୃଶ୍ୟ ଅଟଇ ଚଟୁଳ,

ତହିଁ ସ୍ଥିତ ଜଳପାଇଁ କେତେ ପକ୍ଷୀ ଠୁଳ

ପତିତ ପ୍ରସୂନେ କେତେ ପଥ ଆଚ୍ଛାଦିତ,

ବନଦେବୀପାଇଁ କିବା ପାଏଡ଼ା ପତିତ ?

ତୁଙ୍ଗ ନାରିକେଳ ତରୁ, ଗୁଆ ଅଗଣିତ

ଫଳ ଭାରେ କରିଅଛ ଶିର ଆନମିତ ।

କରମଙ୍ଗା ଲେମ୍ବୁ ଟଭା ସ୍ୱାଦ ଯାର ଖଟା,

ଦେଖାଇ ଚିହ୍ନାଇ ଦିଏ ଦୂରରୁ ସପଟା ।

ବହୁ ଫଳେ ପନସର ହେବାକୁ ସମାନ

ଅସଂଖ୍ୟ ଅମୃତମଣ୍ଡା ଫଳେ ବିଦ୍ୟମାନ ।

ଉଡ଼ୁମ୍ବର ମଧ୍ୟ ସେହି ଆଶା ମନେ ବାନ୍ଧି

ଆକର୍ଷେ ଦର୍ଶକ ମନ ଫଳି କାନ୍ଦି କାନ୍ଦି ।

ଏଥି ପତ୍ରଗହଳରେ ସୂର୍ଯ୍ୟଙ୍କୁ ନ ଦେଖି

ସୂର୍ଯ୍ୟମୁଖୀ ପଳାଇଛି ଏ ବନ ଉପେକ୍ଷି ।

ଏ ବନେ ପ୍ରବେଶ କଲେ, ନାହିଁ ବୋଲି ଶୋକ,

କହେ ସଙ୍କେତରେ ମୂକ ସଦୃଶ ଅଶୋକ ।

ଚଳଦଳ ମହାକାଳେ ଭାବି ମହାକାଳ

ବିକମ୍ପିତ ହେଉଅଛି ଡରେ ସଦାକାଳ ।

ନାଗେଶ୍ୱର ଥିବା ଲାଗି ନାଗେଶ୍ୱର ମଣି

ଶଙ୍କାବଶେ ସେ ବନକୁ ଛୁଇଁବେ କି ଫଣୀ ?

କୋଳି ତରୁ ମଧ୍ୟେ ବର ଅଟେ ବରକୋଳି,

ଭୁଞ୍ଜନ୍ତି ମାନବେ ତାହା ହର୍ଷଭରେ ତୋଳି ।

ନିମ କୋଚିଲା ଉଭୟ ଭିଷକପଣରେ

ଖଟୁଛନ୍ତି ସ୍ଥାନେ ସ୍ଥାନେ ଉଦ୍ୟାନ ମଧ୍ୟରେ ।

ତୁଳସୀ ତମାଳ ତୁଲେ ନ ରହି ଏକତ୍ର

ରହିଅଛି ସ୍ଥାନେ ସ୍ଥାନେ ହୋଇଣ ସ୍ୱତନ୍ତ୍ର ।

ସରେ ସରୋଜରେ ଭୃଙ୍ଗ ବସିବାର ଦେଖି

କଣ୍ଟକରେ ଲୁଚି କିଆ ରହିଛି ନିରେଖି ।

ତାହା ନିରୀକ୍ଷଣ କରି ସୁବାସିତ ମଲ୍ଲୀ

ଯାଉଛି ଭୂମିରେ ଲୋଟି ବୋଲି ମଲି ମଲି ।

ଛୁରୀଅନା ଛୁରୀଅନା ଭୃଙ୍ଗେ ବୋଲେ ଚାହିଁ,

ମାତ୍ର ତାର ମନୁ କଦା ଭୟ ଯାଇ ନାହିଁ ।

କୁଞ୍ଜଲତା ସଙ୍ଗେ ଗୁଞ୍ଜ ହୋଇ ଏକମେଳ

ଚହଳ କରୁଛି ଖେଳି ତା’ ଝୁମୁକା ଖେଳ ।

ଚମ୍ପକ କଳିକା ଦେଖି ଗୁଳି ବୋଲି ମଣି

ମନ୍ଦାରେ ମନ୍ଦାର ହସେ ଆତଙ୍କେ ନ ଗଣି ।

ବାଣାକାର ବାଣ ପୁଷ୍ପ ପାଶରେ ନିଆଳୀ

ଧୈର୍ଯ୍ୟ ଧରି ରହିଅଛି ବିଲୋକିଣ ଆଳୀ ।

ପୁଷ୍ପରିଣୀ ମଧ୍ୟେ ଦେଖି କମଳିନୀ ଦଶା

ସ୍ଥଳକମଳରେ ନାହିଁ ଜୀବନେ ଭରସା ।

ଶଶୀ ପ୍ରକାଶିବେ ବୋଲି ଛଳେ କଇରବ

ଭୃଙ୍ଗକୁ ନିଷେଧ କରି ଦିଏ ପରାଭବ ।

ରସାଳ ବକୁଳେ ପିକ ଦେଖି ମଧୁପକୁ

ତର୍ଜନ ଗର୍ଜନ ଭାବେ କରଇ ରଚକୁ ।

ପକ୍ୱ କରନ୍ଦାକୁ ଚାହିଁ ଭ୍ରମର ଭ୍ରମରେ

ଡରି ଝଡ଼ି ପଡ଼ୁଅଛି କଞ୍ଚନ ତଳରେ ।

ଅବିରତ ମଧୁବ୍ରତ ଆଳାପକୁ ଡରି

ରମ୍ଭା ପୁଷ୍ପ ରହିଅଛି ଶିର ନତ କରି ।

ଫୁଟି କନିଅର ଫୁଲ ଗଣିକା ପ୍ରକାରେ

ଉଡ଼ନ୍ତା ଭୃଙ୍ଗକୁ ଡାକେ ଦୋଳାୟିତ ଠାରେ ।

ରଙ୍ଗ ରଙ୍ଗଣୀକି ଭୃଙ୍ଗ ମଣି ସ୍ୱ-ରମଣୀ

ଗୁଣୁଗୁଣୁ ସ୍ୱରେ ଡାକେ ମିତଣି ମିତଣି ।

ତା’ ଦେଖି ସପତ୍ନୀଭାବେ ଅଳିକି ପାଟଳୀ

ସୁଆଗୀ ହେବାର ଲାଗି କରେ କିବା ଅଳି ।

ସୁମରି ଉଦ୍ୟାନ ପ୍ରେମ ବିଟପୀ ସ୍ୱଭାବେ

ମାଡ଼ିଛି ଅଟବୀ ଛାଡ଼ି ମାଳତୀ ଏଠାବେ ।

ପ୍ରକୃତିଦେବୀର ଏକ ଅପୂର୍ବ କୌତୁକ,

କପିତ୍ଥ ସମ୍ପାତ ଛଳେ ଖେଳେ କି କନ୍ଦୁକ ।

ଢଗର ସମୀପ ଭୃଙ୍ଗ ଭ୍ରମିବା ଭାବରେ,

ବୁଡ଼ି ତରାଟ ତରାଟି ଚାହୁଁଛି ରୋଷରେ ।

ରୂପାଜୀବା ଜୁଇ ପାଶେ ଥାଇ କାଠ କୁନ୍ଦ,

ନ ପାଏ ପରଶ ମାତ୍ର ଦେଖେ ଭୃଙ୍ଗବୃନ୍ଦ ।

ମୁଗ୍ଧକର ସୁଷମା ସୁବାସେ ପ୍ରଜାପତି

ପ୍ରୀତିବଶେ ଛାଡ଼ୁ ନାହିଁ ଯାଇ ଯାଈ କତି ।

ଗଇଁଶ ଗଣେଶ ହେତୁ ଥାଏ ନିର୍ଭୟରେ,

ମାତ୍ର ଅର୍କେ ଭୃଙ୍ଗ ଦେଖି ଡରି ଥରି ମରେ ।

ଷଟପଦ ଆଗତ ଶବ୍ଦେ ସେ ଗଙ୍ଗଶିଉଳୀ

ସତୀତ୍ୱ ନାଶ ଶଙ୍କାରେ ଯାଉଛି ମଉଳି ।

ଅଟବୀ ମଧ୍ୟରୁ ଆସି କୂଟଜ ବାଟରେ

ଜଗିଛି ଦୂତିକା ପରି ବଟ ଆପଟରେ ।

ବାର ମାସ ଫଳବତୀ ହେବାକୁ କମଳା

କାମନା କରି କରୁଛି ସ୍ମରଣ କମଳା ।

ଆଛୁ ପିଛିଳା ପିଚୁଳ ଅଛି ଶ୍ରେଣୀ ଶ୍ରେଣୀ,

ମାତ୍ର ନେତ୍ରପଥାରୂଢ଼ ହେଲା ନାହିଁ ଏଣୀ ।

ଦାସୀ* ଧାତ୍ରୀ ଦାସୀ ଧାତ୍ରୀପଣେ ଯହିଁ ସ୍ଥିତ,

ଶିଶୁ ଲତା ତରୁ କିଁପା ନୋହିବେ ପାଳିତ ।

* କୁରୁଣ୍ଟକ ।

ବୃନ୍ଦାବନ କୁଞ୍ଜବନେ ସେବାକୁଞ୍ଜ ଯଥା,

ଜଗନ୍ନାଥ ଦେବାଳୟ ଟେକିଅଛି ମଥା ।

ଚନମଧ୍ୟେ ମହାବୀର ହନୁମାନ ସ୍ଥିତ,

ହନୁ ଉପଦ୍ରବୁ କିଁପା ହେବ ସେ ବଞ୍ଚିତ ।

ତହିଁ ପାତି ପନ୍ତି ପନ୍ତି ଫଳ ମୂଳ ଖାଇ

ରହିଛନ୍ତି, ଭୟ ଭ୍ରାନ୍ତି କାହା ପ୍ରତି ନାହିଁ ।

ନ କରି କିଛିହିଁ ମାତ୍ର ରହିଲେ ଅନାଇ,

ମୁଖ ବିକଟାଳ କରି ହୁଅନ୍ତି ଖତାଇ ।

ଜନାକୀର୍ଣ୍ଣ ବନେ ବାସ କରି ସଦା ଥାଇ,

ସେହି ଜାତି ରୀତି ନୀତି ଲେଶ ପାଇ ନାହିଁ ।

ନୀଳଗିରି ବାୟୁକୋଣେ ମାର୍କଣ୍ଡେୟ ସର

ଯାର ତୀରେ ଅବସ୍ଥିତ ମାର୍କଣ୍ଡେୟ ହର ।

ପ୍ରଳୟରେ ମତ୍ୟୁଞ୍ଜୟ ଦେବବର ବର

ପାଇ ମାର୍କଣ୍ଡେୟ ଋଷି ଅଟନ୍ତି ଅମର ।

କଳ୍ପଜୀବୀ ମାର୍କଣ୍ଡେୟ ପୂତ ସରୋବର,

ବାହ୍ୟ ଦୃଶ୍ୟ ଏବେ କେଶନଖେ ନର୍କାକର ।

କୁସଂସ୍କାର-ଅନ୍ଧଚୟ ମଙ୍ଗଳ ଉଦ୍ଦେଶ୍ୟେ

ଦେବତାଙ୍କୁ ସମର୍ପନ୍ତି ହେୟ ନଖ କେଶେ ।

ଏପରି ଅନ୍ଧ ବିଶ୍ୱାସେ ନରପଦରଜ

ନୋହିବ କିପାଇଁ ତୁଲ୍ୟ ସହ ବ୍ରଜରାଜ ।

କର୍ମକାଣ୍ଡ ଅନ୍ତର୍ଗତ କୁସଂସ୍କାର କର୍ମ-

କାଣ୍ଡଜ୍ଞାନହୀନ ଦ୍ୱିଜଙ୍କର ମୁଖ୍ୟ ଧର୍ମ ।

ସେ ଧର୍ମେ ଦୀକ୍ଷିତ ନର ହୋଇ ସର୍ବସ୍ୱାନ୍ତ ।

ଭିକ୍ଷା ବିନା ସର୍ବ କର୍ମୁ ହୋଇଯାଏ କ୍ଷାନ୍ତ ।

ଅସନ୍ତୁଷ୍ଟ ନଷ୍ଟ ଅଜ୍ଞ ଦ୍ୱିଜନାମଧେୟ-

ବ୍ରାହ୍ମଣେ ଅସଂଖ୍ୟ ତୀର୍ଥ ହୁଏ କ୍ଷୟ ହେୟ ।

ଗାୟତ୍ରୀର ମର୍ମ କର୍ମ ନ ଥାଉଣୁ ଲେଶ,

ନାସିକା ପଇତା କର୍ଣ୍ଣ ସ୍ପର୍ଶେ ସନ୍ଧ୍ୟାଶେଷ ।

ପୁର୍ବ ପୁରୁଷଙ୍କ ନାମେ ହୋଇ କିଣାବିକା

ନିର୍ବାହ କରନ୍ତି ଭିକ୍ଷା-ଦୀକ୍ଷାରେ ଜୀବିକା ।

ଦରପାଠୁଆଙ୍କ ସଂଖ୍ୟା ଯହିଁ ପରବଳ ,

ତିଷ୍ଠିବେ କି ତହିଁ ସ୍ୱଳ୍ପ ସୁପାଠୁଆଦଳ ?

ମନ୍ତ୍ରପୂତ ଶୂନ୍ୟ ସୂତ୍ର ମୃତ୍ତିକା ତିଳକ-

ଧାରୀ ବହୁ ଦ୍ୱିଜେ ଛନ୍ତି ଦ୍ୱିଜ ନାମେ ଠକ ।

ଚିତ୍ରପଟ ପ୍ରାୟ ବାହ୍ୟ ଆଡ଼ମ୍ବର ଛଟା,

ନ ଥାଏ ଭିତରେ କିଛି ମାତ୍ର କାଷ୍ଠପଟା ।

ନୀଳନଗ ନୀଳଅମ୍ବୁ ମଧ୍ୟସ୍ଥ ଭାଗରେ

ମଞ୍ଜୁଳ ଗହଳ ପଥେ ନୈର୍ରୁତ ଦିଗରେ ।

ଶ୍ୱେତମାଧବଙ୍କ ସ୍ମୃତି ଆକର ଆକାରେ

ଶ୍ୱେତଗଙ୍ଗା ନାମ ଧରି ବିଦିତ ଏଠାରେ ।

ଅତଳ ପାତାଳୁ ଯହିଁ ଜାହ୍ନବୀ ଉଜାଣି,

ପ୍ରକ୍ଷାଳନ୍ତି ପାପ-ପଙ୍କ ଚିତ୍ତୁ ଦୁଃଖ ଗ୍ଳାନି ।

ତ୍ରିଦିବେ ତ୍ରିଦଶଙ୍କର ସୁଦୁର୍ଲଭ ଯାହା,

ପ୍ରତ୍ୟକ୍ଷେ ମାନବ ପକ୍ଷେ ସୁଲଭହିଁ ତାହା ।

କ୍ଷଣଭଙ୍ଗୁର ଜୀବନେ କ୍ଷଣ ମାତ୍ର ଯେହି

ହୋଇଅଛି ସେ ପୁଳିନବାସୀ ଧନ୍ୟ ସେହି ।

ବାରୁଣୀ ଦିଗ ସରଣୀ ଯହିଁ ଜନାକୀର୍ଣ୍ଣ,

ହୋଇଛି ମଣିକର୍ଣ୍ଣିକା ତହିଁ ଅବତୀର୍ଣ୍ଣ ।

ସେ ତୀର୍ଥ ଲୋକନାଥଙ୍କୁ ସଙ୍କେତେ ଚିହ୍ନାଇ

ଦେଖାଇ ଦେଉଛି ସଦା ଯାତ୍ରିଙ୍କୁ ବତାଇ ।

ଲୋକନାଥେ ଅର୍ପଣାର୍ଥେ କେତେକ ଚମ୍ପକ -

ତରୁ ସ୍ୱସମୀପେ ପାଳି ଦିଏ ମଣିବକ ।

ସେ ପୁଷ୍ପକଳିକା ଗୁନ୍ଥି ମଣିସର* ମଣି,

ଅର୍ପୁଛନ୍ତି ଲୋକନାଥେ ଲୋକେ ଗଣି ଗଣି ।

* ମଣିମୟ ହାର ।

ମଣିକର୍ଣ୍ଣିକା ବସତି ଉପକଣ୍ଠକୂଳେ

ବିରାଜନ୍ତି ଲୋକନାଥ ସୁନ୍ଦର ଦେଉଳେ ।

ରସାଳ ପନସ ବଟ ଅଶ୍ୱତ୍ଥ ପୁନ୍ନାଗ,

ଯହିଁ ନାରିକେଳ ଜମ୍ବୁ ଲେମ୍ବୁ ସଙ୍ଗେ ସାଙ୍ଗ ।

ଶାଖା ପ୍ରଶାଖା ସୁପର୍ଣ୍ଣେ ଛନ୍ଦାଛନ୍ଦି କେତେ,

ପର୍ବ ଗହଳର ଭାବ ଦର୍ଶାନ୍ତି ସଙ୍କେତେ ।

ସିକତା ସବିତା କରେ ହେଲେହେଁ ତପତ,

ସର୍ବେଶ୍ୱର ସନ୍ନିହିତ ନୁହେ ସନ୍ତପତ ।

ଫାଲ୍ଗୁନେ ଶିବଶର୍ବରୀ ଉତ୍ସବ ଦିବସେ

ଶିବରାତ୍ରି ମେଳା ନାମେ ମେଳା ତହିଁ ବସେ ।

ରବିବଂଶ ଅବତଂସ ରାମ ରଘୁମଣି

ସଂସ୍ଥାପିଲେ ଲୋକନାଥ ଚତୁର୍ବର୍ଗଖଣି ।

ସେହି ସଞ୍ଜିବନୀ ମନ୍ତ୍ର ମୃତ୍ୟୁଞ୍ଜୟ ପଦ,

ସ୍ମରିଲାକ୍ଷଣି ନ ଆସେ ବିପଦ ଆପଦ ।

ଅପାର ରୋଗ-ସାଗର ଯିବାପାଇଁ ତରି

ତାଙ୍କ କୃପା-ତରୀ ବିନା ନାହିଁ ଅନ୍ୟ ତରୀ

ମଙ୍ଗଳା ସରିତ-ଧୌତ ଯେଉଁ ପୂତ ପଦ,

ସେହି ପଦାବ୍ଜ ଉଦକ ବ୍ୟାଧିଘ୍ନ ଔଷଧ ।

ଅଲଙ୍ଘ୍ୟ ଦୁର୍ଭାଗ୍ୟବଶେ ସେ ସୌଭାଗ୍ୟ କାହିଁ,

ଥରେ ହେଲେ ଏ ରସନା ତାହା ଚାଖି ନାହିଁ ।

ଅକର୍ମରେ କର୍ମଦାତା ବୋଲି ଯେ ବିଦିତ,

ମୋ ସମ ଅକର୍ମା ପକ୍ଷେ ସିନା ବିପରୀତ ।

ବୁଝିଲି ବୁଝିଲି କିଛି ସଂସାର ରହସ୍ୟ,

ସେ ରହସ୍ୟ ରକ୍ଷଣାର୍ଥେ ଦେବେ ସୁଦ୍ଧା ବଶ ।

ମାୟାବଶରେ ଅନିତ୍ୟ କାୟାର ମମତା-

ବଶବର୍ତ୍ତୀ ପ୍ରାଣିର କି ରହେ ସ୍ୱାଧୀନତା ?

ଇଚ୍ଛେ ନର ଭୋଗିବାକୁ ଶୁଭକର୍ମ ଫଳ,

ମାତ୍ର କର୍ମକ୍ଷେତ୍ରେ ତାହା ପାଲଟେ ଗରଳ ।

ଅଲଙ୍ଘ୍ୟ ନିୟମ ଏକା ନିୟତିର ଅଟେ,

ତହୁଁ ନର ବାଧ୍ୟ ହୋଇ ତା ପୟରେ ଖଟେ ।

ବଡ଼ ସାନ ସବୁ ତାହା ପକ୍ଷରେ ସମାନ,

ତା’ ସମ୍ମାନ ଅସମ୍ମାନ ସାମ୍ବରୀ ବିଧାନ ।

ନଶ୍ୱର ସଂସାରାଶ୍ରମ ଅସାର କେବଳ,

ଏ କ୍ଷଣଭଙ୍ଗୁର ଜୀବ ଦୁର୍ବଳୁ ଦୁର୍ବଳ ।

ପରସ୍ପର ସମ୍ପର୍କର ମମତା ଦୁର୍ଗୁଣ,

ଭ୍ରମେ ଭ୍ରମି ନିତ୍ୟ ନରେ ହରାନ୍ତି ସୁଗୁଣ ।

ସମ୍ପର୍କବଶରୁ ସିନା ସପକ୍ଷ ବିପକ୍ଷ-

ଭାବ ଅନୁଭବେ ଭବେ ହେଉଛି ପ୍ରତ୍ୟକ୍ଷ ।

ଅନୁଭବୀ ହେଲି ଏବେ ନ ହୋଇ ସତର୍କ,

ଚିର ଭାବି ରଖି ରଖି ଅଚିର ସମ୍ପର୍କ ।

ପଣ୍ଡିତଭୂଷାମଣ୍ଡିତ ନଗରୀର ଛଟା,

ଉତ୍କଳେ ତା ଚିରନ୍ତନ ସଂସ୍କୃତଜ୍ଞ ପଟା ।

ଯେଣୁ ସେହି ପଟାଙ୍କିତ ଲିପି କଳଙ୍କିତ,

ତେଣୁ ତାହାହିଁ ଅସ୍ପଷ୍ଟଭାବେ ଅପଠିତ ।

କାଳର ଗନ୍ତବ୍ୟ ପଥ ଅଗୋଚର ଅଟେ,

ସେ ଅଜ୍ଞାତ ପଥେ ଅଜ୍ଞ ପଥିକ କି ଖଟେ ?

ଉଇଁ ଆସୁଛି ବିଗତ ଉନ୍ନତି-ଚନ୍ଦ୍ରମା,

ଉତ୍କଳମଣ୍ଡଳେ କ୍ରମେ ଆଚ୍ଛାଦି ସୁଷମା ।

ସେ କାକରକର କର ପତନେ ମୁଦ୍ରିତ

କୋବିଦ-କୁମୁଦକୁଳ ହେବେ ପ୍ରସ୍ଫୁଟିତ ।

ବାଣୀ-ତପ-ଉପବନେ ସାହିତ୍ୟ ସରସୀ-

ମଧ୍ୟରେ କବିତାକଞ୍ଜ ନ ହସେ ବିକଶି ।

ସେ କବିତା-ଅବ୍ଜେ ବାଣୀ-କଳ୍ପନାମଣ୍ଡପେ

ପୂଜିବା ଭଞ୍ଜ ତପସ୍ୱୀ ନାହିଁ ଏଥି ତପେ ।

ଜଟିଳ-ମୁଣ୍ଡ ବିଭୂତି-ଭୂଷଣ-ମଣ୍ତିତ

ଯତିପନ୍ତିରେ ପଥାଦି ସ୍ୱଭାବେ ଶୋଭିତ ।

ପୁଣି କଷାଦୁକୂଳିଆ ରୁଦ୍ରାକ୍ଷମାଳିଆ ।

ଦଣ୍ଡୀ ମଣ୍ଡଳୀ ମଣ୍ଡିତ ସ୍ଥଳଟି ବାଲିଆ ।

କଷାବାସ ଝୁଲି କଲି ଛାପ ନାମାବଳୀ-

ଭୂଷାବିଭୂଷିତା ମାତା ସଂଖ୍ୟା ନୁହେ କଳି ।

କେତେ ଗଣ୍ଡା ଗଣ୍ଡା ପଣ୍ଡା କେତେ ସୂତ୍ରଧାରୀ,

ଘରେ ଧନୀ ମାନୀ ମାତ୍ର ଦାଣ୍ଡରେ ଭିକାରୀ ।

ଆତ୍ମରାମ ବୁଦ୍ଧଦେବ ମତ ସୂତ୍ରପାତ

ହୋଇ ଏଥି ହେଲା ସିନା ଜଗତେ ବିଖ୍ୟାତ ।

ଏ କ୍ଷେତ୍ରଧାମ ମାହାତ୍ମ୍ୟ ଅଟେ ଅକଳିତ,

ମୋ କ୍ଷୁଦ୍ର ଲେଖନୀ ଯୋଗେ ହେବ କି ବର୍ଣ୍ଣିତ ?

ଈଶ୍ୱରତତ୍ତ୍ୱଜ୍ଞ ଭକ୍ତ ରାମାନୁଜ ମତ ।

ପ୍ରଚାରିତ ହୋଇ ଏଥି ବ୍ୟାପିଛି ଜଗତ ।

ସମ୍ପ୍ରତି ସେ ସମ୍ପ୍ରଦାୟ ଅକ୍ଷୁଣ୍ଣଭାବରେ

ସମାଦୃତ ହେଉଛନ୍ତି ସ୍ଥଳବିଶେଷରେ ।

ଏହି କ୍ଷେତ୍ର ମାହାତ୍ମ୍ୟରେ ହୋଇଣ ଆୟତ୍ତ

ରାମାନନ୍ଦ ଯାଇଛନ୍ତି ପ୍ରକାଶି ସ୍ୱମତ ।

ରାମାନୁଜାଦି ପ୍ରସାଦୁ ଏହି କ୍ଷେତ୍ରସ୍ଥଳୀ

ହୋଇଅଛି ବଡ଼ ସାନ ମଠରେ ଗହଳି ।

ଅନେକ ଭିକ୍ଷୁକ ଦ୍ୱିଜ ରାଣ୍ଡ ଓ ଛେଉଣ୍ଡ

ପ୍ରସାଦ ଆଶାରେ ମଠେ ହେଉଛନ୍ତି ରୁଣ୍ଡ ।

ଉତ୍କଳଲଲାମ ବ୍ରହ୍ମ ବନେ କରି ବାସ

ତୋଳିବ କେ ଭକ୍ତି-ପୁଷ୍ପ, ନାହିଁ କୃଷ୍ଣ ଦାସ (୧)

(୧) ଦୀନକୃଷ୍ଣ ଦାସ

ସେ ସୁମନ ପର୍ଯ୍ୟୁଷିତ ହେଲେହେଁ ତା ବାସ-

ରେଣୁରେ ବ୍ୟାପିତ ସଦା ଭାରତ ଆକାଶ ।

ଭକ୍ତି-ଦୀପେ ଭାବ-ବତୀ ଜାଳି ମୁକ୍ତି-ପଥ

ଦର୍ଶାଉଛି ସିନା ବଳରାମ ଦାସ ଗ୍ରନ୍ଥ ।

ସେହି ଭକ୍ତଶିଖାମଣି ପରଂବ୍ରହ୍ମପ୍ରିୟ

ଯାହା ନାମ ଉତ୍କଳରେ ପ୍ରାତଃସ୍ମରଣୀୟ ।

ଅମର ଆଦରଣୀୟ ସେ ନାମଗୌରବେ

ଅବଧି ଗୌରବାନ୍ୱିତ ଉତ୍କଳ ଏ ଭବେ ।

ସୁପ୍ରସିଦ୍ଧ ସିଦ୍ଧ ଯୋଗୀ ବନ୍ଦ୍ୟ ଦୁଃଖୀଶ୍ୟାମ,

ଯୋଗଜନ୍ମା ଦେବଭକ୍ତି ଯାର ମୁଖ୍ୟ କାମ ।

ଦ୍ୱିଜ ଜଗନ୍ନାଥ ଦାସ ଭକ୍ତଶିଖାମଣି,

ଯାହାଙ୍କ ରଚିତ ଗ୍ରନ୍ଥ ସତ୍କବିତାଖଣି ।

ସେ ଲେଖା ଆଲେଖ୍ୟାବଳୀ ସାହିତ୍ୟଭଣ୍ଡାର-

ଭିତ୍ତିକି କରେ ଅପୂର୍ବ ମଣିର ଆଧାର ।

ଉତ୍କଳଭାଷା-କାସାରେ ଭାବବାରିବଶେ

ଶବ୍ଦବିନ୍ୟାସ ସାରସ କୈରବ ବିକଶେ ।

ଅସଂଖ୍ୟ ତୀର୍ଥର ଭାବ ଅଟେ ବହିରଙ୍ଗ,

ମାତ୍ର ଶଙ୍ଖକ୍ଷେତ୍ର ତୀର୍ଥ ନିଶ୍ଚେ ଅନ୍ତରଙ୍ଗ ।

ସକଳ ତୀର୍ଥକ୍ଷେତ୍ରାଦି ଯଥା ଦେହାକୃତି,

କେବଳ ପୁରୁଷୋତ୍ତମ ଧାମ ଆତ୍ମାମୂର୍ତ୍ତି ।

ଓଡ଼ିଶା ଅବାରୀ ଅଂଶେ ସାଗର ଉତ୍ତରେ

ଯହିଁ ଦାରୁବ୍ରହ୍ମ ସ୍ଥିତ ନୀଳ ପର୍ବତରେ ।

ପୁରୁଷୋତ୍ତମଙ୍କ ଲୀଳାକ୍ଷେତ୍ରରେ ସନ୍ତତ

ଷୋଳକଳା ପୂର୍ଣ୍ଣ ଭକ୍ତି ହୁଏ ପରାପତ ।

ସର୍ବକ୍ଷେତ୍ର ତୀର୍ଥସାର ନିଦାନର ମୂଳ,

ଯହିଁ ସର୍ବ ମରାମର ଅହରହ ଠୁଳ ।

ସେ ମୋକ୍ଷ ନାମ ସ୍ମରଣ ଭଜନ ଧିଆନ

କୀର୍ତ୍ତନ ପ୍ରଭୃତି ଗତି ମୁକତି ସୋପାନ ।

କୈବଲ୍ୟ ଭକ୍ଷିଣ ତହିଁ ନିତ୍ୟ ଅବସ୍ଥାନ

କଲେ ଘଟେ ଅନ୍ତରଙ୍ଗ ଭକ୍ତିର କାରଣ ।

ବ୍ରାହ୍ମଣ ଚଣ୍ଡାଳ ତହିଁ ଏକତ୍ର ଭୋଜନ,

ବର୍ଣ୍ଣ ଧର୍ମ ଭେଦାଭେଦ ନାହିଁ କଦାଚନ ।

ସେ ପରମ ଦାରୁବ୍ରହ୍ମ ମହିମା ଅବ୍ୟକ୍ତ,

ବେଦବେଦାନ୍ତରେ ହୋଇ ପାରି ନାହିଁ ବ୍ୟକ୍ତ ।

ଅଷ୍ଟାଙ୍ଗ ଯୋଗାଦି ଧ୍ୟାନ ଧାରଣା ସକଳ

ଏ କ୍ଷେତ୍ର ପ୍ରବେଶ ମାତ୍ରେ ହୁଅଇ ସଫଳ ।

ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଯହିଁ,

ମର୍ତ୍ତ୍ୟ ମଧ୍ୟେ ବଇକୁଣ୍ଠ ଅବତୀର୍ଣ୍ଣ ତହିଁ ।

ମୁକ୍ତି କୈବଲ୍ୟରେ ଭକ୍ତିଭଣ୍ଡାର ପୂରିତ,

ଅପକ୍ଷପାତେ ସର୍ବଦା ହୁଏ ବିତରିତ ।

ଅନ୍ୟକ୍ଷେତ୍ରେ କୃତବାଞ୍ଛା ଯଦି ନୁହେ ସିଦ୍ଧି,

ଏଥି ତାହା ସଂସାଧିତ ହୁଏ ଯଥାବିଧି ।

ତୀର୍ଥାମ୍ବୁ ମଧ୍ୟରେ ଶ୍ରେଷ୍ଠ ଅଟେ ସିନ୍ଧୁ ଅମ୍ବୁ,

ସର୍ବକ୍ଷେତ୍ର ତୀର୍ଥ ମଧ୍ୟେ ତଥା ତୀର୍ଥ କମ୍ବୁ ।

ଭକ୍ତଭାବାବେଶେ ସତ୍ୟଯୁଗେ ନୃକେଶରୀ -

ରୂପେ ଦୈତ୍ୟ ବିଦାରଣେ ଥିଲେ ଅବତରି ।

ସ୍ୱର୍ଣ୍ଣପୁର ଲଙ୍କନାଥେ ବିନାଶିବା ବଶେ

ରାମ ଅବତାର ତ୍ରେତାଯୁଗେ ରଘୁବଂଶେ ।

ଦ୍ୱାପରଯୁଗରେ କଂସ ରାକ୍ଷସ ମାରଣେ ।

କୃଷ୍ଣରୂପେ ଅବତୀର୍ଣ୍ଣ ହେଲେ ସୁଲକ୍ଷଣେ ।

କଳିଯୁଗେ କଳ୍କିରୂପେ ପାଷଣ୍ଡ ସଂହାର-

କରୁଣାର୍ଥେ ହେବେ ପ୍ରଭୁ କଳ୍କି ଅବତାର ।

ସେହି ଭାବ ତରଙ୍ଗିଣୀ ମିଳି ମୋକ୍ଷାବ୍ଧିରେ

ଉଲ୍ଲୋଳ କଲ୍ଲୋଳ ପ୍ରେମ ଲୋଟେ ଭକ୍ତିତୀରେ ।

ସେ କୂଳ ବା ଉପକୂଳ ଭାବର ମାଧୁରୀ,

ନ ଉପୁଜେ ଯା’ ଏ ହୀନ ମାନସେ ଆହୁରି ।

ଚାରି ଧାମ ମଧ୍ୟେ ସାର ଜଗନ୍ନାଥ ଧାମ,

ପ୍ରତ୍ୟକ୍ଷ ବୈକୁଣ୍ଠ, ଆତ୍ମା-ଅନ୍ତିମ-ଆରାମ ।

ଅମର ଅଜ୍ଞେୟ ଯାର ଅନନ୍ତ ମହିମା,

କିବା ସାଧ୍ୟ ମାନବର କଳିବ ତା’ ସୀମା ।

କାହିଁ ମର୍ତ୍ତ୍ୟ ଧୂଳିକଣା କାହିଁ ମହାକାଶ,

ଛୁଇଁବା ତାହାକୁ ସିନା ବିଫଳପ୍ରୟାସ ।

କ୍ଷୁଦ୍ରପ୍ରାଣେ ଖର୍ବଦେହେ ତୁଚ୍ଛ ପିପୀଲିକା

ପାରିବ କି ପାରି ହୋଇ ବିଶାଳ ଚିଲିକା ?

ବାନ୍ଧି ନାହିଁ ଅର୍ଜିବାକୁ ଆଶା କବିଯଶ,

ନାହିଁ ମୋର ସେ ଉତ୍କଟ ବ୍ୟର୍ଥ ଦୁଃସାହସ ।

ଲଭିବାକୁ ବାଣୀଭୃତ୍ୟ ଗୌରବ ଉପାଧି,

ଅଜ୍ଞ ମୁଁ ସେ ଭଳି ତପ ପାରି ନାହିଁ ସାଧି ।

ଅଜ୍ଞ ନିମନ୍ତେ ଉପାର୍ଜିତ ମୋର ତୁଚ୍ଛ ବିତ୍ତ,

ମୋଦ ପାଇଁ ରଚିଲି ଏ ଗୀତ ।

 

ସମାପ୍ତ