ଚୌପଦୀ ରତ୍ନାବଳୀ

ଜଗନ୍ନାଥ ପାଣି

 

। (ଶିବଙ୍କ ବନ୍ଦନା)

ଜୟ ହର ଗିରିଜା ବରଂ, ଜୟ ଜୟ ଜଗତ ତାରଂ,

ହର ହର ମମ-ଦୁରୀତ ଭାରଂ ।। ଘୋଷା ।।

 

ଶିଶୁ ଶଶଧରଂ-- ଶୀର୍ଷ ପର ଧରଂ,

ବୃଷଭ ରାଜିତଂ ବିଷଧର ହାରଂ,

ଅଙ୍ଗ ବିଭୂତିର ଭଙ୍ଗ ଧାତୁରଂ,

ଗିରିବର ଗୌରୀ ଗଙ୍ଗ, ବିହାରଂ ।୧।

 

ଖଣ୍ତନ ଫୁଲ କୋଦଣ୍ତ ଦଣ୍ତ ଭାରଂ,

ମଣ୍ତନ ତାଣ୍ତବ ସୁସଙ୍ଗୀତ ସାରଂ,

ଫ୍ମ ଫ୍ମ ଫ୍ମ ଫ୍ମ ଫଣି ମଣି ଫୁ ଫୁକାରଂ

ବମ୍‌ବମ୍‌ବମ୍‌ବମ୍‌ଚାରଣ ଚାରଂ ।୨।

 

ରଚିତ ଜଗନ୍ନାଥ ଶିବ ପଦାରଂ,

ବନ୍ଦତି ମହେଶ ମହିମା ଅପାରଂ,

ସ୍ମରତି ପ୍ରଥମ ମଙ୍ଗଳାଚାରଂ,

ହର ହର ଭାରତୀ ଭାରଣ ଭାରଂ ।୩।

 

।(ଗଣେଶ ବନ୍ଦନା)

ପ୍ରଥମ ପୁଜିତ-ଦେବ-ମଙ୍ଗଳ ଦାୟକହେ ।ଘୋଷା ।

ପରଂ ବ୍ରହ୍ମ ପରମାତ୍ମା

ବିଶ୍ୱ ଶ୍ରେୟ ଅନ୍ତରାତ୍ମା

ସର୍ବ-ସିଦ୍ଧି-ଦାତା ଗଣ-ନାଥ ବିନାୟକ ହେ ।୧ ।

 

ଜୟ ଅର୍କ ଜ୍ୟୋତିଃପ୍ରଭା--ଅରୁଣାଙ୍ଗ ମହାଶୋଭା

ଉଦୟ ଗିରିଜା ଆତ୍ମ-ନୟନ ଧ୍ୟାୟକ ହେ ।୨।

ନମସ୍ତେ ଶିବ ପ୍ରସନ୍ନ--ବଦନ-ଲଭ--ଖଣ୍ତନ

କପିଳାସ-ବାସୀ-ତୋଷି ଅମର କାୟକ ହେ ।୩।

 

ବିଷ୍ଣୁ-ବିଶ୍ୱ-ମୂର୍ତ୍ତିମୟ, ଚତୁର୍ଭୁଜ ଜାଗଜ୍ଜୟ-

ସର୍ବଜ୍ଞ ପୁରୁଷ ପ୍ରଭୋ ସିଦ୍ଧି ପ୍ରଦାୟକ ହେ ।୪।

ଦୁର୍ଗା ଦୁର୍ଗତି ନାଶିନୀ--ଜଗତ--ଜାତ ଜନନୀ-

କଟାକ୍ଷରେ ହୋନ୍ତି ମୁର୍ଖେ ଗୁଣୀନ୍‌ଗାୟକ ହେ ।୫।

 

ଗଣ, ଅର୍କ,-ଶିବ, ବିଷ୍ଣୁ, ଦୁର୍ଗା ପଞ୍ଚମ ସହିଷ୍ଣୁ

ବୋଲେ ଜଗନ୍ନାଥ, ବାରେହୁଅ (ମୋ) ସହାୟକ ହେ ।୬।

 

। (ଚକ୍ରସିଂହାବଲୋକନ)

ରେ ନାଗରୀ ବରୁ,

ଗରିବର ହୃଦ ତାପ ହର ।ଘୋଷା ।

ପହରଣ କିଙ୍କିଣୀର କିଣିରଖ ତୁ ସେବାର

ସେ ବାରକ ଦୋଷ ମୋର ହର ।୧।

 

ରତ୍ନ ରସ ନିଧିବର ଧୀବର ଧର ଦୃଶର

ଦୃଶର ସନ୍ଧାନୁ ଅନୁସର ।୨।

ଅନୁସରଣ ଦିବାର ଦିବା ରହି ଭଗତିର

ଭଗତି କରୁଛି ଦୟାକର ।୩।

 

ୟା, କରମେ ବିରଞ୍ଚିକି ରଚିକି ଥିଲା ସହିକି

ସହିକି ସହିବି ସ୍ମର ଶର ।୪।

ରସ ରମଣୀ ରତନ ଚକ୍ର ସିଂହାବଲୋକନ

ଲୋକନରେ ଜଗନ୍ନାଥ ଗୀର ।୫।

 

।(ପ୍ରାନ୍ତ ଜମକ)

କାହା ରମଣୀ ମଣି ଆସୁଛିକି ହସି ହସି,

ଆହାକି ଶୋଭା ଦିଶେ ତାହାର ବଦନ ଶଶୀ ।

କି ଆଳି-ତାରାପନ୍ତି, ହୀରା ଦର୍ପଣ ଗାତ୍ରୀ,

କୁମୁଦ ବନ୍ଧୁ ଆସେକି ବିଷ୍ଣୁ ପଦୁଁ ଖସି ଖସି ।୧।

 

ବିଧୁ ବଦନୀ ଭଳି- ବିଧୁ ବନ୍ଧାଣ ସ୍ଥାଳୀ,

ବିକାଳେ ହୁଳହୁଳି-ପକ୍ଷୀ ଦ୍ୟନ୍ତି ଘୋଷି ଘୋଷି ।୨।

ବ୍ରହ୍ମାଣ୍ତ କୋଟି କୋଟି ଖୋଜିଣ ପରମେଷ୍ଟି;

ଗଢ଼ିଛି ମୁଖ ଗୋଟି କେତେକାଳ ବସି ବସି ।୩।

 

ପ୍ରସନ୍ନ ସୁଧାମୁଖ- ଦର୍ଶନେ ହରେ ଦୁଃଖ ।

ଜଳରେ ଲୁଚିଲା ପଦ୍ମ ଲାଜେ ସରସୀ ରସି ।୪।

ଜଗନ୍ନାଥ କହଇ ଜଗନ୍ମୋହିନୀ ଏହି ;

ହସଇ ବାସ ଦେଇ ଆଡଲାଜେ ରୁଷି ରୁଷି ।୫।

 

୫। (ଯମକ ସ୍ନେହାନୁରାଗ)

ଶ୍ୟାମ ବନ୍ଧୁଠାରେ (ମୋର) ମାନ ଥିଲା

ଆଜି ତୁଟିଲା ।

 

ଯାଇ ସ୍ନାନ ଘାଟ, ଯମୁନା ନିକଟ,

ତଟ ବଂଶୀବଟ, ଦେଖିଲି ସେ ନଟ,

ବ୍ରଜ ନନ୍ଦ ଚାଟ, କରି ମୋତେ ହଟ,

କେତେ ଭଙ୍ଗିରେ (ସେ) ଆସି ଭେଟିଲା ।୧।

 

ମୟୁର ମୁକୁଟ, କଟି ପୀତ ପଟ,

ଲଗଇ ଉଚାଟ, ଯୋଡି କର ପୁଟ,

କହିଲେ ନିରାଟ, ହେଲି ହତପାଟ,

ଏ ବିନୟେ ମୋ ମନ ଫିଟିଲା ।୨।

 

କଲି ମୁ ଆକଟ, ନ ମାନି ପାଲଟ;

ଶାଢ଼ୀକି ଲଲାଟ, ପଟେ ବାନ୍ଧି ପାଟ,

ବୋଇଲେ ମୁ-ଭାଟ, ହୋଇଲି ନିରାଟ,

ଆଲଟ-ଧରା ପରି କରି ଖଟିଲା ।୩।

 

କୁଙ୍କୁମ ଉକଟ, ଛଡ଼ା ଫୁଲ ପଟ,

ମୋ ପାଦ ପ୍ରସ୍ଫୁଟ, ଧୂଳି ବୋଳି ହେଠ-

ବଦନେ ସଂକଟ, ଭଞ୍ଜନ ଅଘଟ,

ଘଟଣ ଭବ ଶ୍ରୀପାଦେ ଲୋଟିଲା ।୪।

 

ଯେଉଁ ଚାଟୁ ପଟ ଭାଷିଲେ ସେ ଝଟ,

କେଉଁ ସ୍ତିରୀ ଆଣ୍ଟ, ଧରିବ କପଟ,

ଭାଙ୍ଗି ମାନ ଆଣ୍ଟ, ଦେଲି ତାଙ୍କୁ କଣ୍ଟ,

ଜଗନ୍ନାଥ ଏ ରସେ ରଟିଲା ।୫।

 

। (ଚକ୍ର ଶୃଙ୍ଖଳା)

ହେ ବରଜ ବର

ବର ବରନୀ ରାଧାର ନିରାଧାର ବର ହେ ।

ବରତ ରତି ଈଶର- ଶରଘାତୁଁ ରାମାବର,

ବରଗି ରଙ୍ଗିନୀ ଦେହୀ ଦେଇଛି ଖବର ହେ ।୧।

 

ବରଷି ରସିକାବର ବର ନେତ୍ରୀ ଇନ୍ଦୀବର,

ବରଦାନ କର ବାରି ବାରିଦ ଭାବର ହେ ।୨।

ବର ଅଙ୍ଗୀ-ଅଙ୍ଗୀକାର- କାରଣ ଯିବ ଜୀବର ।

ବରଜନ ଜନ ତବ ତବ ଅଭାବର ହେ ।୩।

 

ବର ଯୌବନୀର ନୀର, ନୀରକାକ୍ଷୀ ହରବର ।

ବର ତର ତର ମଣି-ମଣି ଇଚ୍ଛା ବର ହେ ।୪।

ବରହି ଚକ୍ର ଶୃଙ୍ଖଳା- ଛନ୍ଦ ଅନୁ ଭବର

ବର ଭାଷେ ଭାସେ ଜଗନ୍ନାଥ କବିବର ହେ ।୫।

 

।(ସିଂହାବଲୋକନ-ବିରୋଧାଭାଷ)

ଦରହାସୀ ବରଜ ବନ୍ଧୁ ସୁନ୍ଦର;

ଦରଶନ ଦେଇ ଯା’ ନ ଯା ଛନ୍ଦର । ଘୋଷା ।

 

ଦର କରି ନେଲ କିଣି ବଂଶୀ ନାଦର,

ଦରପକରେ ଦେଇ କଲ ଅନାଦର ।

ଦର ବିଦଳିତ ମଲି- ଦରବିନ୍ଦ ବଧୁଲି,

ଦରଶାଇବୁ କାହା ହୃଦୟ ।୧।

 

ଦରମାନ ହରିହର କି ଅପାଦର,

ଦର ନାହିଁ ଆନ ଆନ ଅଛି ପାଦର ।

ନରବିଣ ସ୍ମଦୟା- ଦରବସ୍ତ ନିର୍ଦ୍ଦୟା;

ଦର ଦର ନାହିଁତ ବିହିତ ବେଦର ।୨।

 

ଦରମରା ଅମରା ମଦନ ମଦର,

ଦରବେ ଅନାଥ ଜଗନ୍ନାଥ ଆଦର ।

ଦରଶବ୍ଦେ ଏ ବିରୋଧା-ଭାଷା ପଦର;

ଦୁର୍ଭାକେତୁ ଲୋକ-ଦର ସିଂହାବଲୋକ,

ଦର ପେଷଣ କରେ କି ହୁନ୍ଦର ।୩।

 

।(ଆଦ୍ୟ ପ୍ରାନ୍ତ ଯମକ-ବିରୋଧ ଭାଷା)

କରକ ଦନ୍ତୀ ତୁ ମୋ ପ୍ରାଣ ନିକର,

କର ମେଲାଣି ଆସି ବସି ଅଙ୍କର ।

 

କରଜରେ ଅବନୀ ବନିତା-ଯା’ କର;

କରଷନା କାରଷ-ନାଗରୀ ସ୍ୱକର ।।

କରଭୋରୁ କରୁଣା- କର କରମ ଉଣା,

କର ନାଟ କର ଅଟକର ।୧।

 

କରଗତ ପରି ତ ମୁଁ କି ପରି କର;

କରତରେ କଟା ନାରେ କଟାକ୍ଷକର ।

କରବୀ ଫୁଲ ହାର, କରପୁର ନିହାର,

କରମାଳୀ ସେ ବେ ଅଶୋକର ।୨।

 

କରନା ମାନ ତୁ କର ମାନ ଲୋକର,

କର ସଦୟେ ଅସଦୟେ ବିଲୋକର ।

କର ଦୂର ଆଦେଶ- କରଇ ଏ ବିଶେଷ,

କରତବ୍ୟ ମୋ ନାହିଁ ବିଚାର କର ।୩।

 

କର ବଂଶୀ ଜଗନ୍ନାଥ ସେବି ଶଙ୍କର,

କରସେକରେ ଆଦ୍ୟପ୍ରାନ୍ତ ଯମକର ।

କରକଶ ଆଦେଶ, କର ବିରୋଧା ଭାଷ,

କର ବର୍ଣ୍ଣେ ପଦର ରତ୍ନ ଆକର ।୪।

 

। (ବିରୋଧା ଭାଷ ଦ୍ୱିତୀୟାର୍ଥ)

ମୋ ବନ୍ଧୁ କି ସ୍ନେହ କଲାରେ ।

କଲା ଯାହା ସ୍ନେହ ଆହା ତା ଅଦେହ ବହନୁଁ ଦେହ ରଖିଲା ।। ଘୋଷା ।

 

ଦିନେ ସେ ନହସି ଆସି ହସି କୁଚେ ନଖ କ୍ଷତି ଦେଖୁଥିଲା ।

ଅଧିର ହୋଇ ମୁଁ ଧୀର ଗତି ଧରି ଅପସରି ସରି ଗଲା । ୧।

ଅତି ବିପରୀତ ପରିତ ଗୁମାନ ମାନସରୁ ନ ଭାଷିଲା ।

ନମାର ପ୍ରୀୟାରେ ମାର ଅଶ୍ରଦ୍ଧାରେ ଶ୍ରଦ୍ଧାରେ ଭାଷୁ ଭାଷିଲା ।୨।

 

ବିସରୁ ନାହିଁ ବିଷରୁ ଅଛି ଟାଣ ତାହା କଟାକ୍ଷ ଘାରିଲା ।

ବଳାଧ୍ୱନି କରି ଅବଳା ରାତିରେ ବଳା ରାତି ମତ୍ତେ କଲା ।୩।

ନଯାଇ ଆଉ ଆଉଜାଇ ଉରଜ ଦିନେ ଆଲିଙ୍ଗନ ଦେଲା ।

କହେ ଜଗନ୍ନାଥ ନ କହେ ଏକାନ୍ତ ବିରୋଧା ଭାଷା ଭାଷିଲା । ୪।

 

୧୦।(ତ୍ରିବିଧ ଶ୍ଳେଷ ଭାଷା )

ଗିରିଜା ବର ଦାସ ତୋଷ ମନା ।

ବୃଷାଶନ ମାନଦାୟୀ ମାହୀ ଶରଣ ସେନା । ଘୋଷା ।

 

ଜଗତ୍‌ସୃଧାତ୍ୱ ଗୁଣା, ବିଭୁ ବିଭୁତି ଭୂଷଣ;

ସର୍ବଦା ଶିବ ଶିବ ଶେଷନ୍ମୁଖରେ ଭାବନା ।୧।।

ନୀଳକଣ୍ଠ ପ୍ରଭୁଜନ ନିଦାରଣ ରିପୁଯାନ

ବିଜୟେ ଦକ୍ଷ କୁମାରୀ କ୍ରତୁଧ୍ୱଂସୀ କୋପନା ।୨।

 

ବିଦୂଷ ମାନ ପ୍ରତିମା ତ୍ରିପୁର ହରଷ ମନା

ଇନ୍ଦୁର ଆନ ଜାତି ଜା ଗର୍ଭକ ସୁମନା ।୩।

ହର ଗଉରୀ ଆଶାରେ, ତ୍ରିବିଧ ଶ୍ଳେଷ ଭାଷାରେ

ମଙ୍ଗଳା ଚରଣେ ଜଗନ୍ନାଥ ବନ୍ଦନା ।୪।

 

 

୧୧। (ଯୋଡ଼ି ଯମକ)

 

ରଙ୍ଗେ ଆସେ ଏଣୀ ନେତ୍ରୀ

ଏଣିକି ରାମା ମଣିକି ।। ଘୋଷା ।।

 

କିଣି କିଙ୍କିଣି କିପାଁ ଦକା ଯେଣିକି,

ବଜାଇ ମଣ୍ତେ ଧରଣୀକି ।

ଗତି କାରିଣୀ କି, କାମ ବାରିଣୀ କି,

ଭାଗ୍ୟରେ ଭେଟିଲି ଏଣିକି ।୧।

 

ଦେଖିଲା କ୍ଷଣି କି, ଚାରୁ ଇକ୍ଷଣୀ କି,

କାମ ବିନ୍ଧେ ଶର, ଟାଣିକି,

ପିୟୁଷ ଛାଣିକି, ମଧୁର ବାଣୀକି,

ଭଙ୍ଗୀରେ କହେ ସିହାଣୀକି ।୨।

 

କି ରଙ୍ଗେ ବେଣୀକି, ସଜାଡି ଏଣିକି,

କି ରଙ୍ଗେ ବାନ୍ଧିଛି ଟାଣିକି ।

ଝୁଲାଇ ମଣିକି, ନାସା ବସଣିକି,

ଧଇର୍ଯ୍ୟ ଦେଉଛି ହାଣିକି ।୩।

 

ସଖିଙ୍କ ପାଣିକି, ଧରିଣ ଟାଣିକି,

ଗତି କରୁଅଛି ଏଣିକି ।

ଜଗବନ୍ଧୁ ଭଣି, ଆହେ କମ୍ବୁ ପାଣି

ଦେଖ ତୁମ ରାଧା ରାଣୀକି ।। ୪।।

 

୧୨। (ଗୋ ମୂତ୍ର ଛନ୍ଦ )

ବୃଷ ଭା ନୁ ଜେ ମା ରା ଧା ମ ଦ ନ କା ତ ରେ ।

କୃ ଶ ତ ନ ଭା ମା ସୁ ଧା ବ ଦ ନ କା ନ୍ତ ରେ ।।

ସ ଖି କ ର ଧ ରି କ ହେ ବି ନ ୟ ଉ ତ୍ତ ର ।

ଆ ଖି ନୀ ର ଝ ର ବ ହେ ସ୍ତ ନ ର ଉ ପ ର ।।

 

ଶ୍ୟା ମ ପା ଦ ପ ଦ୍ମେ ମୋ ର ର ହୁ ଚି ତ୍ତ ବୃ ତ୍ତ ।

କା ମ ବା ଦ ଛ ଦ୍ମେ ଶ ର ଦ ହୁ ଚି ତ ନି ତି ।।

ହେ ଲେ ରା ଗ ଏ ଥ ର ବି ଭ୍ର ମୁ ଉ ଚ୍ଛ ନ୍ନ ରେ ।

ବୋ ଲେ ଜ ଗ ନା ଥ କ ବି ଗୋ ମୁ ତ୍ର ଛ ନ୍ଦ ରେ ।।

 

୧୩। ( ଯୋଡ଼ ଯମକ)

ଏହି ଘନକାଳ, କାଳହେଲା ମୋତେ କାଳ କାଳ ।୦।

ବୃଶାଳ ରସାଳ ଶାଳ, ଆରୋହ ମରାଳରାଳ- ତଡ଼ିତଉଜ୍ଜଳ

ଜଳ, ଘୋଟିଆସେ ମେଘ ମାଳ ମାଳ ।୧।

 

ଅନଳପ୍ରବଳ ବଳ, ବହେ ପୂର୍ବାଚଳ ଚଳ,

କଳହଂସ କଳକଳ, କଳକଣ୍ଠୀ ହୃଦ ଟଳ ଟଳ ।୨।

ବିରହୀ ଆକୁଳ କୁଳ; ବରହୀ ନିଚୁଳ ଚୂଳ,

ଭେକରବ ହୁଳ ହୁଳ ଡହୁକ ବାତୁଳ ତୁଳ ତୁଳ । ୩।

 

କହଇ ଅଖିଳ ଖିଳ କବିଙ୍କ ସୁଶୀଳ ଶୀଳ,

ଜଗନ୍ନାଥ ତିଳ ତିଳ,-କା-ଯୋଡ଼ ଯମକ ଲୋକ ଲୋଳ ।।୪।।

 

୧୪ଅଦ୍ଭୂତ ଉପମା

ରେ ରାମ ନେତ୍ରୀ;

ରେବତି-କାନ୍ତ-ବଦନୀ ହେମଗାତ୍ରୀ ।ଘୋଷା ।

 

ସୁନାଗରୀ-ସୁ-ନାଗରୀଆ ଉରଜେ,

ପୟୋଧର ପତ୍ରାବଳୀ ମଳୟଜେ ।

ନେତ୍ର ଆଲୋଡ଼ନେ ଅଶ୍ରୁଜଳ ଜଳେ

କାମ ଦେବ ଅଗ୍ନି ହୋତ୍ରୀରେ । ୧।

 

ଶମ୍ଭୁ ଦିଗାମ୍ବର ବସ୍ତ୍ର ପରିଧାନ

ବିରଞ୍ଚି ବିହି କୁହୁଡ଼ି ବୁଦ୍ଧି ଜ୍ଞାନ,

କଲା ଗ୍ରାସ କେଶ-ରାହୁ-ତମ-ଚକ୍ରେ

ବାଳ ଭାନୁ ଅଧ ରାତ୍ରୀରେ ।୨।

 

କରି ଗଜ ଗତି କଟି ମଧ୍ୟା ସିଂହେ

କେଶରି ବସାଇ ଅଛି ଉତ୍ତମାଙ୍ଗେ ।

ଉର୍ଦ୍ଧ୍ୱ ରେତା ପରେ ସାତ କୁମ୍ଭ ଥୋଇ

ରଖିଛି ପିୟୁଷ ପାତ୍ରୀରେ ।୩।

 

ମାନ ମାନସରୁ ସରୁମଧ୍ୟା ତେଜ,

ତେଜି ମୋତି ମୁକ୍ତିକ ରଜନୀ ଭଜ ।

ହସି ହରଷରେ ଭାଷ ଭାଷା ପଦେ

ଯାଉ ମୋ ଦିନ ଦିବାତ୍ରିରେ । ୪।

 

ସୁଗ୍ରୀବ କଣ୍ଠରେ ତାରା ହାରା ପରା

ବାନ୍ଧ ବାନ୍ଧବୀ ଦେଇ ବାହୁ ଗିରା

ପୁନରୁକ୍ତି ଗୀତେ ଜଗନ୍ନାଥ କହେ

ଅଦ୍ଭୁତ ରସରେ ଚିତ୍ରରେ ।।୫।।

୧୫। (ଯୋଡି ଯମକ )

ଏହି ଘୋର ଝଡି,

ବନ୍ଧୁଦେଖି କାନ୍ଦୁଥିବ ଘଡ଼ି ଘଡ଼ି । ଘୋଷା ।

 

ପୟୋଧର ବଢ଼ି ବଡ଼ି, ଦମ୍ଭୋଳିରେ ପଡ଼ି ପଡ଼ି,

ଭାଞ୍ଜୀବନି ଗଡ଼ି ଗଡ଼ି, ଅବନୀରେ ବୁଦ୍ଧି ହୁଡ଼ି ହୁଡ଼ି ।୧।

ସୁପାତି ସଜାଡ଼ି ଜାଡ଼ି, ପାଲଟି ଅସାଡ଼ି ଶାଢ଼ୀ,

ବସି ମୁଖ ମାଡ଼ିମାଡ଼ି, ଲେଖୁଥିବ ନଖେ ଧାଡ଼ିଧାଡ଼ି।୨।

 

ତରଙ୍ଗିଣି ତଡ଼ି ତଡ଼ି- ଉତ୍ତରେ ସରଡ଼ି ରଡ଼ି;

ବର୍ଷାଭୁ ଧାଉଁଡ଼ି ଉଡ଼ି, ଚକ୍ରବାକେ ତାପିଞ୍ଛାଡ଼ି ଛାଡ଼ି ।୩।

ଶବ୍ଦମାଳା ଲୋଡ଼ି ଲୋଡ଼ି, ଜଗନ୍ନାଥ ଯୋଡ଼ି ଯୋଡି,

ଯମକ ସୁଜଡ଼ି ଯଡ଼ି, ଚାତକ ହେ କାବ୍ୟ ପଢ଼ି ପଢ଼ି ।୪।

୧୬। (ରାଧାକୃଷ୍ଣଙ୍କର ବିବିଧ ଶ୍ଳେଷ ବର୍ଣ୍ଣନା)

ଆହେ ଶ୍ୟାମ ଘନ ।

କେଶୀ ନାଶ କର ଭୟ ପରିତ୍ରାଣ । ଘୋଷା ।

 

ରାସ ରସ ନିଧି ଚନ୍ଦ୍ର ସେନାପତି,

ମଦନ ସମରେ ସାଧନ କେଳତୀ;

ଶ୍ରୀରାସୀ ବୁଷଭାନୁଜା କୁଳବର୍ତ୍ତି,

ବରଜ ସାଧନ ଧନ ।୧।

 

ମନ୍ଦରଧର ଶ୍ରୀବତ୍ସ ବକ୍ଷରୂହେ,

ଗୋଉର ଶ୍ୟାମ-ବାସ ଚଞ୍ଚଳା ଶୋହେ;

ବ୍ରହ୍ମା ବଂଶୀ କରେ ମନ ମୋହିନୀରେ

ଗଜ ଗତି ପରାୟଣ ।୨।

 

ହେବି ରାଧିକେ ଶ୍ରୀପଦ ସେବି କ୍ରମେ,

ଭାବନ୍ତି ଯା ଦେବ ଗୋତ୍ର ସୁଦର୍ଶନେ;

ଅମରୀ ସମାନେ ସତ୍ୟ ବ୍ରତ ପୁଣ୍ୟେ,

କିଶୋରୀ ହରି-ଚନ୍ଦନ ।୩।

 

କୁବଳୟ ଦଳନେ ତ୍ରାସ ମୋହରେ,

ନବ ନାଗରୀ କୁଞ୍ଜରେ ଯେ ବିହରେ;

ଜଗନ୍ନାଥ ତାଙ୍କୁ ଦ୍ୱି-ବିଧ ଶ୍ଳେଷରେ

ଭାବେ ରାଧାକୃଷ୍ଣ ନାମ ।।୪।।

 

୧୭ମାଳ ଯମକ

ଚନ୍ଦ୍ରମାନନୀ, ମାନନୀ ମାନନୀ ।

ଇନ୍ଦ୍ର ପଦ-ପଦ ପଦକ ଦାନୀ ।।

ବିକାଶ କାଶ କା ଶରଦ ଶଶୀ ।

 

ନିହାର ହାର ହାରକ ସୁହାସୀ ।।

ମନ ମୋହିନୀରେ ।

ଉମା ବର ବର ଯୌବନୀ ରେ ।। ୧।।

 

ହାରାମ ରାମ ରାମନାଁ ଦାୟରେ ।

ସୁକାମ କାମ କାମନା ମୟୀରେ ।।

ବସୁଧା ସୁଧା ସୁଧାଂଶୁ ବଦନୀ ।

 

ନଚୀର ଚୀର ଚୀର ବିରହିଣୀ ।।

କର କୋପନା ରେ ।

ମୋପରି ପରି ପରିଜନ ଠାରେ ।।୨।।

 

ଦୁର୍ଦ୍ଦିନ ଦିନ ଦିନକ ଭାଷାରେ ।

ଅବଳା ବଳା ବଳାଏ ରାତିରେ ।।

ଅଶ୍ୱ ମାର ମାର ମାରଣ କାଣ୍ତ ।

 

ଜଗତି ଗତି ଗତି କରି ରୁଣ୍ତ ।।

ମୁଁ ସରିବି ଭଲେ ।

ଅପସରି ସରି ସରିବି ଭଲେ ।।୩।।

 

ଅବିଧି ବିଧି ବିଧିର କାରିଣୀ ।

ଦ୍ୱିବିଧି ବିଧି ବିଧିର ସରଣୀ ।।

କିଙ୍କିଣୀ କିଣି କିଣି ନିଏ ମୋତେ ।

 

ଶୁଭାଶୁଭ ଶୁଭ ଶୁଭ ଜଗତେ ।।

ଜଗନ୍ନାଥ ଲେଖେ ।

ଶବ୍ଦମାଳ ମାଳ ମାଳ ଯମକେ ।।୪।।

 

୧୮ବାସକ ଶଯ୍ୟା

ନୂଆ ନାଗର-ଆସ ଯିବ ମୋହପୁର । ଘୋଷା ।

 

ଚାରି ଖଣ୍ତ ପଟା ଅଟେ ସାତ ସତର,

ତହିଁରେ ଲଗାଇଛି ସ୍ଫୁଟିକ ପଥର

ଚାରି ଲକ୍ଷ ଟଙ୍କା ଦେଇଣ ନାଗର

ବାନ୍ଧିଛି ନୂଆ ଘର ।୧।

 

ଚାରିଖଣ୍ତ ବନାଉତ କରିଅଛି ପାଲି,

ତହିଁରେ ଲଗାଇଛି ମୁକୁତାର ଝାଲି;

ତୁମ୍ଭେ ଖେଳିବ ଖେଳ ମୁଁ ଦେଖିବି ରଙ୍ଗ

ଚାଳି ଦେବି ଚୌସାର ।୨।

 

ଗଜ ଦନ୍ତ ପଲଙ୍କରେ ବରଜିତ ତକିଆ

ତହିଁରେ ଲଗାଇଛି ସୁବର୍ଣ୍ଣର ପାତିଆ;

ତୁମ୍ଭେ ଦେଖ ଏରଙ୍ଗ ମୁଁ କରିବି ଭୋଗ

ଖୋଲିବି ପ୍ରେମ ଭଣ୍ତାର ।୩।

 

ଚୂଆ ଚନ୍ଦନ କର୍ପୂର ମିଶାଇ
ଭାଙ୍ଗିଛି ପାନ ଭୂଞ୍ଜିବା ପାଇଁ;

ଜଗନ୍ନାଥ ବୋଲେ ସଦନକୁ ଗଲେ

ଭୁଞ୍ଜାଇବି ତୁମ୍ଭ ମୁଖର ।୪।

 

୧୯ମାନଭଙ୍ଗ

ଚନ୍ଦ୍ର ବଦନୀ ଚାହାଁ ରଜନୀ କିରେ ।

ରସବତୀ ରୁଷି ବସୁ ମୁଁ କି ଦୋଷ କଲି କିରେ ।ଘୋ ।

ଚମ୍ପା ଝରା ସମ୍ପା ଅଙ୍ଗ କମ୍ପା କିମ୍ପା କରୁ ଭଙ୍ଗ;

ଝମ୍ପା ଦେଉଛି ଅନଙ୍ଗ, ରଖିବ ଏ ଦେହି କିରେ ।୧।

 

ଜୀବଧନ ତୋହ ଲାଗି ଏ ଜୀବ ଯିବକି,

ମୀନ ଖଞ୍ଜନ ଗଞ୍ଜନ-ନେତ୍ରେ ଅଞ୍ଜନ ରଞ୍ଜନ-

ତେରଛ କଞ୍ଜ ନୟନ, ଚାହିଁ ହୃଦ ଦମକିରେ ।୨।

 

କର-କରକ-ରଦନା ମୁଁ ତୋହର ପର କି-

ବୀଣା-ଜିଣା-ଭାଷୀ-ଶୁଣା, ଛଣା ସୁଧାର ପ୍ରବୀଣା,

ମୁଁ ତୋ କିଣାଜନ ଉଣା ମୋହଠାରେ କାହିଁକି ରେ । ୩।

 

ଅଙ୍କରେ ବସାଇ ନାଶ ଶଙ୍କର ଅଇରିକି;

ତାଳ ସ୍ତନି ଜଞ୍ଜାଳ- କାଳକ ନ ଗଲା ଗୋଳ

ଜଗନ୍ନାଥ କହେ କାଳ ମାର ପ୍ରବଳ ଏକିରେ ।୪।

 

୨୦। (ସେହାନୁଚିନ୍ତା )

ମୋ ଚକ୍ଷୁ ପରି-ଆଉ ମନ କେ ଜାଣିବ ମୋହରି ।

ଜୀବର ଜୀବନ କରିଥାନ୍ତି ଧନ

ନିମିଶେ ଅନ୍ତର ନ କରି ।

 

ମୁ ରୁଷି ବସିଲେ, ଆଶ୍ୱାସନ୍ତି ଭଲେ,

ଉରଜ, ଓଷ୍ଠକୁ ଧରି ।

ବଉଳ ମାଳିକି ଗୁନ୍ଥି ନିଆଳିକି ।

ରଙ୍ଗେ ସାଜନ୍ତି କବରୀ ।। ୧।।

 

ବାଛି ବାଛି ଶାଢ଼ୀ ସୁନା ଜରି ଧଡ଼ି

ପିନ୍ଧାନ୍ତି କୁଞ୍ଚ କିନାରି ।

ମନ କଲେ ଧନ ଭାଙ୍ଗି ଦ୍ୟନ୍ତି ପାନ

କେତେ ସନମାନ କରି ।।୨।।

 

ଚାନ୍ଦନୀ ରଜନୀ ଦେଖିଲେ ଚାନ୍ଦନୀ

ସାଜନ୍ତି ଶେଯ ପ୍ରବାରି ।

ବଳେ ନେଇ କୋଳେ ଧରି କୁଚ ମୁଳେ

ନଖ ଟିପ ଦ୍ୟନ୍ତି ମାରି ।୩।

 

ପିନ୍ଧିଲା ଶାଢ଼ୀକି ଅଙ୍ଗରୁ କାଢ଼ିକି

ରଙ୍ଗରେ ନେଇ ଓଟାରି ।

ଲାଜ କଲେ ସେହି ପଛ ଭର ହୋଇ

ଦେଖନ୍ତି ଜାନୁ ବିସ୍ତାରି ।।୪।।

 

ଦେଖଏ ଦାରୁଣ ଦଇବ କଷଣ

ଏ କାଳେ ଦେଲା ବିଚାରି ।

ବୋଲେ ଜଗନ୍ନାଥ ଯୁବା କାଳେ କାନ୍ତ

ଗଳାରେ ଦେଲେ କି ଛୁରୀ ।।୫।।

୨୧। (ବିପରୀତ ରତି-ବାକ ଚାତୁରୀ )

ରସ କଳ୍ପଲତା, କାମୀ କାମଚିନ୍ତା

ମଣି ଶୁଣ ପ୍ରେମ ରସେ;

କେଳିପୁରେ ଦିନେ ସୁନ୍ଦର ସୁମନେ

କହଇ ସୁନ୍ଦରୀ ପାଶେ ।

ଆରେ ସହି । ଆଶ୍ଚର୍ଯ୍ୟ ଦେଖିଲି ମୁହିଁ ।।୧।।

 

ଚାରୁ ସୁକୁମାରୀ, ନୃପତି କୁମାରୀ;

କାନ୍ତ ସ୍ନେହ ବାଣୀ ଶୁଣି ।

ଫୁଲାଇ ନାସାକୁ ଗେଲାଇ କହଇ

ଭୁଲାଇ ତରୁଣି ମଣି !

ଆହେ ଧନ, ରତି ଛାଡ଼ି କୁହ ଆନ ଆନ ।୨।

 

ପ୍ରାଣ ସଜନୀରେ ପଦ୍ମ-ଲତାକରେ

ହସ୍ତି ବନ୍ଧା ନୀରାଙ୍କୁଶେ ।

ତାହା ଦେଖି ଶଶୀ ମହୀ ପରେ ଆସି

ଲୋଟେ କୁମୁଦ ଆକାଶେ ।

ରେ ବାନ୍ଧବୀ, ଖଞ୍ଜନ ଚକୋର ହସେ ।।୩।।

 

ଅଦୃଷ୍ଟ ଅଶ୍ରୁତି ଏ ଅତି ଅନୀତି

କ୍ଷତିରେ ଯା ଶୁଣାନାହିଁ ।
କମଳ ଲତାରେ ମତ୍ତ କରୀବର

ବାନ୍ଧିବ କେ ଗଣ୍ଠି ଦେଇ ।

ଆହେ ନାଥ, ଦେଖାଅ ଏ ବିପରୀତ ।।୪।।

 

ଦେଖରେ ବାନ୍ଧବୀ ଏ ନବ ମାଧବୀ

ଶେଯେ ମତ୍ତ କରୀ ମୁହିଁ ।

ତୁ ପଦ୍ମିନୀ ପଦ୍ମ- ଲତା କରେ ବାନ୍ଧି

ପ୍ରେମ ଆଲିଙ୍ଗନ ଦେଇ ।

ଆରେ ସହୀ, ନଖାଙ୍କୁଶେ ଚିରେ ଦେହୀ ।।୫।।

 

ଇନ୍ଦୁ ମୁଖି ଭାଷେ, ବନ୍ଧୁ ଏକି ଦୋଷେ

ସିନ୍ଧୁ କି ବିନ୍ଦୁ ହୋଇବ ।

ଗଗନର ଚାନ୍ଦ- ପବନର-ଫାନ୍ଦ

ବଳେ କି ତଳେ ପଡ଼ିବ ।

ଆହେ ନାଥ; ସ୍ୱପ୍ନ କଥା କାହିଁ ସତ ।୬।।

 

ଅରେ ଉନ୍ମାଦିନୀ ତୁହି କୁମୁଦିନୀ

ଉଠ ମୋ ହୃଦ ଆକାଶେ ।

ମୁହିଁ ଚନ୍ଦ୍ର ଜଳେ ପଡି ପ୍ରେମ ଜଳେ

ଭାସେ ବିପରୀତ ରସେ ।

ଆରେ ସଖି, ହସେ ତୋ ଖଞ୍ଜନ ଆଖି ।।୭।।

 

କାହିଁ କଥା ନେଇ କାହିଁରେ ଲଗାଇ

କୁହ ବନ୍ଧୁ ଏକି ରୀତି ।

ଅବଳା ସ୍ୱଭାବେ କାହିଁବା କରିବେ

ପୁରୁଷଙ୍କ ପ୍ରାୟେ ରତି ।
ପ୍ରାଣ ନାହା, କାଳେ ଦେଖା ନାହିଁ ଯାହା ।।୮।।

 

ନ ଆସଇ ଯେବେ ଫେରି ଯିବି ତେବେ

ଦିଅ ମୋ ପ୍ରୀତି ଫେରାଇ ।

ଯେମନ୍ତ ସୁରତି କରିଛି ପୀରତି

ଫେରାଇ ଦେ ସୁଧ ଦେଇ ।

ଆରେ ସହି ତୋ ପ୍ରୀତିରେ କାର୍ଯ୍ୟ ନାହିଁ ।।୯।।

 

ଚତୁରୀ ରତନ ଚାତୁରୀ ବୁଝିଣ

ହସେ କର କର ହୋଇ ।

କି କହିଲ କି କ- ହିଲ ବନ୍ଧୁ ପରା

ପ୍ରୀତିକି ଦେବି ଫେରାଇ ।

ଆହେ ଧନ, ପ୍ରୀତି ଫେରାଣ କି ଜାଣ ।।୧୦।।

 

ଦେଲା ଧନ ମୋର, ନୂହଇ ତୋହର

ଦେଉ ନାହୁଁ କାହିଁ ପାଇଁ ।

ଯେତେକ ଚୁମ୍ବନ ପ୍ରେମ ଆଲିଙ୍ଗନ

ଦେଇଛି ଦିଅ ଫେରାଇ ।

ଆରେ ସହି- ବିଳମ୍ବ କରୁ କିମ୍ପାଇଁ ।।୧୧।।

 

କିନ୍ତୁ ବାଣୀ ଶୁଣି ଚିର ବିରହିଣୀ

ସମ୍ମତ କରେ ଦେବାକୁ ।

ନିଅ ତୁମ୍ଭ ପ୍ରୀତି ବୋଲି ପ୍ରୀତିବତୀ

ଚଳଇ କେଳି ପୁରକୁ ।

ସେ ବାନ୍ଧବି; ଭାଷେ ଜଗନ୍ନାଥ କବି ।।୧୨।।

 

୨୨ପ୍ରୀତିର ଲକ୍ଷଣ

ନଚ ତରୁ, ଶୁଣ ପ୍ରୀତି ଚିକ୍ତା ମଣି ଲକ୍ଷଣ ।

କବିଙ୍କ ପୀରତି ଅତି ଧୀର ମତି

ନୃପତି ପୀରତି ପାଷାଣ ।। ଘୋଷା ।।

 

ରସିକ ପୀରତି ଶଶୀକର ଜ୍ୟୋତି

ପ୍ରବାସୀ ପୀରତି କଠିଣ ।

ନାଗର ପୀରତି ନାଗ ସର୍ପ ଜାତି,

ଦଂଶିଲେ ନିଅଇ ପରାଣ ।।୧।।

 

ମୁର୍ଖଙ୍କ ପୀରତି ଅତିହିଁ ଅଗତି

ପଣ୍ତିତ ପୀରତି ରସାଣ ।

ଯୁବାଜନ ପ୍ରୀତି ଜୀବ ଯିବା ଗତି,

ବାଳକଙ୍କ ରତି କଷଣ ।। ୨।।

 

ବୃଦ୍ଧଙ୍କ ପୀରତି ସୁଖ ନୁହେଁ କିଛି

ଯବନ ପୀରତି ଦାରୁଣ ।

ନିଜ ପତି ପ୍ରୀତି ବାସବ ସମ୍ପତି,

ପର ପ୍ରୀତି ଅତି ଦୃଷଣ ।।୩।।

 

ବିପ୍ରଙ୍କ ପୀରତି ଅତି ଅପକୀର୍ତ୍ତି

କ୍ଷତ୍ରିୟ ପିରତି ଖଣ୍ତଣ ।

ଧନୀଙ୍କ ପୀରତି ମାଣିକର ଜ୍ୟୋତି

ଶୁଦ୍ର ପ୍ରୀତି ଅତି ମାରଣ ।୪।

 

ସାଧବ ପୀରତି ସୁଧାପାନ ମତି

କରଣ ପୀରତି ବାରଣ ।

ଜଗବନ୍ଧୁ ପ୍ରୀତି ଯୁବାଜନ ମତି

ମୋହନ ହୃଦୟ ମଣ୍ତଣ ।୫।

 

୨୩ରାମାୟଣ ଲକ୍ଷଣା

ଆରେ ରାମନେତ୍ରୀ

ସୀତାହାସୀ ସୁଲହଣା ହେମ ଗାତ୍ରୀ । ଘୋଷା ।

 

ଶୁକ ସାରଣ ପିକ ରାବଣ

ଶୁଣି ମନ୍ଦୋଦରୀ କୁମ୍ଭ କର୍ଣ୍ଣ ।

ସହୋଦର ଦର୍ପେ ଇନ୍ଦ୍ରଜିତ ଚିହ୍ନୁ-

ଥିବ ବିଭୀଷଣ ସଉମିତ୍ରୀ ।୧।

 

କି ଦଣ୍ତ ଏ ବୋଲିଦଣ୍ତକର;

ବାଳି ସୁଗ୍ରୀବର ମାରିକର ।

ବସନ୍ତ ନଳରେ ନୀଳ ଯେହୁ ଥିବ

ଗବୟ ଗବାକ୍ଷ ଫେର ଧାତ୍ରୀ ।୨।

 

ଅଭିସାରି ହେବ ଅଙ୍ଗଦରେ,

ହନୁକୁ ଜାମ୍ଭେବ ଦଳ କରେ ।

ବାନ୍ଧି ଦଧି ମୁଖ କାଳିଙ୍ଗନ ହେବ

କୁମୁଦ କଂଚନ ଲକ୍ଷେ ଚିତ୍ରି ।୩।

 

ସାରସ ପାରସ ଶତଦଳ

ଗୌରୀ ଚନ୍ଦନେ ଲେପନ ଶିଳ ।

ସୁଷେଣକୁ ଧୀରେ ଅଞ୍ଜନା ରଞ୍ଜନ

ଥିବ ଗନ୍ଧମର୍ଦନ ଧରିତ୍ରୀ ।୪।

 

ଅତିକାୟ କୁଚ ମାତୁଳଙ୍ଗ,

କେଶରୀ କଟି କି ସ୍ଥୂଳ ଜଙ୍ଘ ।

ବୋଲେ ଜଗନ୍ନାଥ ବିଚାର ଅକ୍ଷୟ

ସେନାପତି ନାମାମୃତ ପାତ୍ରୀ ।୫।

 

୨୪ପୁଂସ ପ୍ରତି ସ୍ତ୍ରୀ ଭକ୍ତି

ବନ୍ଧୁ ତୋର, ନୂଆ, ପୀରତିକି ଜୁହାର ମୋହର ।୦।

 

ଜାଣି ନ ଥିଲି ଏପରି, ଆଣି ଗଳେ ଦେବ ଛୁରୀ,

ବାଣୀ କରେ ପାଣି କରି, ଲଗାଇଲ ମୋହନ ମନ୍ତର ।।

ପହିଲେ ଯେପରି ସ୍ନେହ, ସହିଲେ ନ ସହେ ଦେହ,

କହିଲେ ବହିବ ଲୁହ, ଯାଅ ନଛୁଁଅ ଶରୀର ।।

 

ମଦନେ ପୁରୁଷ ଜାତି, ବଦନେ କି ନ କହନ୍ତି,

ସଦନେ ପାଶୋରି ଦ୍ୟନ୍ତି, ଆଗ ପ୍ରୀତି ପଛକୁ ବହର ।।

ଏହା ଜାଣିଥିଲେ ପ୍ରୀତି, ଦେହାନ୍ତେ ନକରି ଥାନ୍ତି,

ସ୍ନେହାଧୀନେ ମାତି ରାତି ପୁହାଇଲି ହୋଇ ଉଜ ଗର ।।

 

ବାସେ ମୁଁ ନୁହେଁ ମାଧବୀ, ପାଶେ ଭୃଙ୍ଗ ବସାଇବି,

ଭାଷେ ଜଗନ୍ନାଥ କବି ପ୍ରୀତିପଥେ ଦେଇ ପ୍ରେମଡୋର ।।

 

୨୫ବସନ୍ତ ଅନୁଚିନ୍ତା ସ୍ତ୍ରୀ ଉକ୍ତି

କହିବୁ କୋକିଳ ଯାଇ, ପ୍ରାଣ ବନ୍ଧୁକୁ ବୁଝାଇ ।

ବସନ୍ତ ଅଇଲା ସେହି ନ ଆସିଲେ କାହି ପାଇଁ । ଘୋ ।

 

କଣ୍ଟ ଦେଇଥିଲେ ମୋତେ

ଆଣ୍ଟପଣ କରି କେତେ ।

ଖଣ୍ଟ ପ୍ରାୟ ହୋଇ ଏବେ

ଗଲେ ଗଳା କାଟି ଦେଇ ।୧।

 

ବହିଲେ ମନ୍ଦ ମରୁତ, ମୋହିଲେ ବିରହୀ ଚିତ୍ତ

ରହିଲେ ମୋ ପ୍ରାଣନାଥ, କେଉଁ ଚତୁରୀକୁ ପାଇ ।୨।

ତୁଟି ପଲ୍ଲବିଲେ ଦ୍ରୁମ, ଫୁଟିଲେ ମଲ୍ଲୀ କୁସୁମ,

ଲୁଟିଲେ ବିରହୀ ପ୍ରାଣ, ବିରହ ଶୂଳେ ବସାଇ ।୩।

 

କୁହୁ କୁହୁ ପିକ ରାବ, ହୁ ହୁ ହୁ ହୁ ଜଳେ ହୃଦ ।

ମୁହୁ ମୁହୁ ହୁଏ ଭେଦ, ଦ୍ୱୀଜ ଜଗନ୍ନାଥ କହି ।୪।

 

୨୬ବସନ୍ତାନୁଚିନ୍ତା

ଅଇଲା ବସନ୍ତ କାଳ ଦହିଲା ବିରହୀ କୁଳ

ବହିଲା ଝଞ୍ଜା ଅନିଳ, ଚୂତେ ରାବିଲେ କୋକିଳ,

ମାଧବୀ ମଧୂପ ମେଳ, ବାନ୍ଧବୀ ଦେଖି ବାତୁଳ,

ସାଧବୀ ମଦନେ ଭୋଳ, ହେଉଥିବ ଟଳ ଟଳ ।୧।

 

ବନଧର କେଶୀ ଧନୀ, ବନପ୍ରିୟ ଧ୍ୱନି ଶୁଣି,

ବନଜ ନେତ୍ରୁଁ ହେବନି, ଅଶ୍ରୁଜଳ ଢଳ ଢଳ ।୨।

ବାସକ ଶଯ୍ୟାରେ ରହି, ବାସ କୁସୁମକୁ ଚାହିଁ,

ବାସରେ ଯୁଗଳ ସେହି, ମଣୁଥିବ କାଳ କାଳ ।


ପାଶେ ବସି ଅନୁବ୍ରତେ, ତ୍ରାସେ ସଖିଙ୍କ ସଙ୍ଗତେ,

ଭାଷେ ଜଗନ୍ନାଥ ଗୀତେ, ପଡ଼ି ମହୀ ଢଳ ଢଳ ।।

 

୨୭ମାନଭଙ୍ଗ ପୁରୁଷୋକ୍ତି

କର କର କୃପା ମୋତେ, କରକ ରଦନା ଚିତ୍ତ,

କର କରବେ ମହୀକି, କରନା ବିଚ୍ଛେଦ ଏତେ ।।

ବର ବରନୀ ମୋହନ, ହର ହର ପର ଶର,

ଦର ଦର ହାସେ ଚାହାଁ କରୁଣା କଟାନ୍ଧ ନେତ୍ରେ ।।

 

ସର ସରସ ଜଘନା, ସ୍ମର ସ୍ମରଣ ଖଣ୍ତନା

ଧର ଧରତ୍ରୀ ମଣ୍ତନା ମୋ ବିନତି ଶ୍ରୁତି ପଥେ ।।

ତର ତରଳାକ୍ଷୀ ଧୀରା, ପର ପରିସ୍ପରେ ପରା,

ତର ବର କଲା ତନୁ, ଆଉମାନ କରୁ କେତେ ।।

 

ଥର ଥର ହୋଇ ରାଙ୍ଗେ ଖର ଖରଶାଣ ଖଡ୍ଗେ,

ମାର ମାରନା ମୋ ଅଙ୍ଗେ ବୋଲେ ଜଗନାଥ ଗୀତେ ।।

୨୮ବଶ୍ୟତା-ସ୍ତ୍ରୀର ଉକ୍ତି

କାହିଁ କାହିଁ ମୋହ ପରି । ନାହିଁ ନାହିଁ ଦୁଃଖୀ ନାରୀ ।

ଚାହିଁ ଚାହିଁ ବନ୍ଧୁ ତୋତେ ପାହିଲା କାଲି ଶର୍ବରୀ । ଘୋ ।

 

ବହି ବହି ଏ ଯୌବନ; ସହି ସହି ଗଲା ଦିନ ।

ଦହି ଦହି କାମ ବାଣ, ଜୀବନ ନେଲା ମୋହରି ।୧।

କହି କହି ବିନା ଦୋଷେ, ରହି ରହି ଏ ବୟସେ ।
ମହୀ ମହିଳା ଧୂଳିରେ , ପଡ଼ି ସଢ଼ିଲା ଏ ସରି ।୨।

 

ଯାହି ଯାହି ଥିଲା ପ୍ରୀତି ତାହି ତାହି ଗଲା ଅତି ।

ସହୀ ସହିତରେ ଏବେ ହସିଲେ ସିନା ଭଗାରି ।୩।

ଦେହିଦେହି କେ ମୁଁ ଏକା କେହିକେହି ନାହିଁ ଶାଖା ।

ଏହି ଯାହା ଦେଲା ଦେଖା ବୋଲେ ଜଗନ୍ନାଥ ହରି ।।

 

୨୯ସ୍ୱୟଂ ଦୁତୀ ପୁନରୁକ୍ତି

ଆହେ ଶ୍ୟାମ ବନ୍ଧୁ ଆଉ ନ କହିବ ରାଧା ପ୍ରାଣବନ୍ଧୁ ।

 

ବଦନ ଅଧରୁ ମଧୁର ମଧୁକୁ,

ଆଦିରସେ ଇଛାକଲି ସଂଗ୍ରହକୁ;

ବିଧୁନ୍ତୁଦ ହୋଇ କେ ଗ୍ରାସିଲା ତୁମ୍ଭ,

ଶ୍ରୀମୁଖ ଚକୋର ବନ୍ଧୁ ।୧।

 

ଦିନେ ଦିବସରୁ ଅଭିଆରି ହୋଇ,

ସୁମନରେ ଥିଲି କୁସୁମ ସଜାଇ,

କେ ନବୀନା ନୂଆ ମୋହିନୀ ଲଗାଇ,

ଘେନିଗଲା ଦ୍ୱାର ବନ୍ଧୁ ।୨।

 

ଗଲା ରଜନୀରେ ନିଶି ଉଜାଗରେ

ବଞ୍ଚିଲି ମୁଁ ବ୍ରତୀ ହୋଇ କେଳିପୁରେ

ଚାହିଁ ଅନାୟାସେ ରଜନୀ ପାହିଲା

ଉଦେ ହେଲେ ଦିନବନ୍ଧୁ ।୩।

 

ଶ୍ୟାମ କଳା ଭୁଙ୍ଗ କାହାରି ନୁହନ୍ତି,

କଞ୍ଜ ଛାଡ଼ି ପଦ୍ମେ କୁଟଜ ଚୂମ୍ବନ୍ତି,

ସଂକେତ କଣ୍ଟରେ ସେପରି ମାଇଲ,

ମୋ ଜୀବନ ମଣିବନ୍ଧୁ ।୪।

 

ଯିବ ଯେବେ ପ୍ରାଣ ନେବ ଏ ମଦନ

ନଚାହିବି ଆଉ ଦେଖିଲେ ବଦନ;

ପୁନରୁକ୍ତି ପଦେ ସ୍ୱୟଂ ଦୁତୀ କହେ,

କବିବର ଜଗଦ୍ବନ୍ଧୁ । ୫।

 

୩୦ଚନ୍ଦ୍ର ଚାଳକ-ରାଗ ଆଷାଢ଼ ଶୁକ୍ଳ

ଚନ୍ଦ୍ର ଚାଳକ ଗୀତ ଶୁଣ ଜନେ,

ଶୁକ୍ଳ ପକ୍ଷେ ଚନ୍ଦ୍ର ଥାଇ ଯେ ସ୍ଥାନେ,

ସ୍ତିରୀର ଦକ୍ଷିଣ ପୁରୁଷ ବାମେ;

 

ବେନି ପକ୍ଷେ ଫେରି ରହଇ କ୍ରମେ ।

କୃଷ୍ଣ ପ୍ରତିପରେ ଯେ ।

ଇନ୍ଦ୍ର ରହିଥାଏ ସ୍ତିରୀ ଶିରରେ ଯେ । ୧।

 

ଦ୍ୱିତୀୟା ଲଲାଟେ ତୃତୀୟା କର୍ଣ୍ଣେ,

ଚତୁର୍ଥୀ ନେତ୍ର ପଞ୍ଚମୀ ଆନନେ ।

ଷଷ୍ଠୀରେ କଣ୍ଠ ସପ୍ତମୀରେ ସ୍ତନ,

 

ଅଷ୍ଟମୀ ହୃଦୟେ ନାଭୀ ନବମ ।

ଦଶମୀ କଟିରେ ଯେ ।

ଏକାଦଶେ ଚନ୍ଦ୍ର ରହେ ଯୋନିରେ ଯେ ।୨।

 

ଦ୍ୱାଦଶେ ନିତମ୍ବେ ଜାନୁ ତ୍ରୀଦଶେ,

ଚତୁର୍ଦ୍ଦଶୀରେ ପାଦେ ପରକାଶେ,

ଅମାବସ୍ୟାରେ ଥାଏ ବୃଦ୍ଧାଙ୍ଗୁଳେ,

 

ଷୋଳ କଳାରେ ସ୍ତ୍ରୀଅଙ୍ଗରେ ଚଳେ ।

କହେ ଜଗନ୍ନାଥ ଯେ ।

ଶୃଙ୍ଗାର ତିଳକ ଚନ୍ଦ୍ର ଚାଳକ ଯେ ।୩।

 

(୩୧)

ବିଦେଶେ ଯିବାବେଳେ ପୁରୁଷୋକ୍ତି-

ରସରଙ୍ଗି ! ଯିବାବେଳେ, ଆସି ବସ ମୋର କୋଳେ

କାଶ ହାସୀ ସୁମଙ୍ଗଳେ, ଭାଷ ବଦନ-କମଳେ । ଘୋ ।

 

ଚଢ଼ାଇ ପୀରତ ନାବ, ବୁଡ଼ାଇଦେଲା ଦଇବ,

ବଢ଼ାଇ ତୁମ୍ଭରି ଭାବ, ବୁଡ଼ାଇଲା ଯୁବାକାଳେ ।୧।

ସୁଖ ସିନ୍ଧୁ ସୁଧାକର, ମୁଖ ଟେକ ରାମାବର,

ଦୁଃଖ-ଦଶା ଯାଉ ମୋର, ରଖ ସୁଦୟା ସକଳେ ।୨।

 

ଦିନେ ଦିନେ ପୂର୍ବ ଭାବ, ମନେ ମନେ କରୁଥିବ,

ଜହ୍ନେ ଜହ୍ନେ ରାତି ଯିବ, ଜାଣିଥିଲି ସବାଢ଼ାଳେ ।୩।

ଅଳପ ଦିନେ ଆସିବି, ବିଳାପ ନକର ଭାବି,

କଳପ ଲତାରେ ଯିବି, ଜଗନ୍ନାଥ ଅନୁକୂଳେ ।୪।

 

(୩୨)

-ପୁରୁଷାନୁଚିନ୍ତା ।-

କି କଲି ତେଜିଲି ପକ୍ୱ ବିମ୍ବଓଷ୍ଠକି;

ଦୁଃଖ ସିନ୍ଧୁ ମଧ୍ୟେ ଦେଇ ସୁଖ ସୁଧା-ବୃଷ୍ଟିକି ।

ମୋତେ ନ ଦେଖି ସେ ଶଶିମୁଖି

ଗାଳି ଦେଉଥିବ ଆଳି ଗେଷ୍ଠୀକି । ଘୋଷା ।

 

ଧନ ଲୋଭେ ଅର୍ଜିଲି ଏମନ୍ତ ସୃଷ୍ଟିକି ।

ଦିନ ଦିନକର ଭାବ ଯେତେକ ଗୋ-

ଯିବ ନାହିଁ ଜୀବ ଯେବେ ଯିବ ଆନ ସୃଷ୍ଟିକି ।୧।

 

ଦିନେ ଦେଖୁଥିଲା କୁଚେ ନଖ ଘାଟିକି

ମୁ ଯାଇ ପଛେ ଦେଖନ୍ତେ ମିଛେ ଗୋ

ବୋଇଲା ହଜାଇ କାହିଁ ଦେଲି ସୁନା କଣ୍ଠିକି ।୨।

 

ଦିନେ ଶୋଇଥିଲା ବନ୍ଧୁ ଅବଚେଷ୍ଟିକି ।

ମୁ ଯାଇ ରତି ଆରମ୍ଭୁ ଚେତିଗୋ

ହୁସି ମୋତି-ଦନ୍ତୀ ଭାଷୀ ଧଇଲା ମୋ ମୁଷ୍ଟିକି ।୩।

 

ଦିନେ ପ୍ରାତୁ ଉଠି ଧରୁ ନୀବି ଗଣ୍ଠିକି ।
ଅଳପ ହସି ତଳପୁ ଖସି ଗୋ

ବୋଇଲା ବିରୋଧ ଜାତି ହୁଏ ଶଯ୍ୟା ଭ୍ରଷ୍ଟିକ ।୪।

 

କିକହିବି ବନ୍ଧୁ ଗୁଣ ଗୋଟି ଗୋଟି କି

ମୋ ଯିବାଚାହିଁ ଆତୁର ହୋଇ ଗୋ

ବୋଲେ ଜଗନାଥ ପଥେ ଦେଇ ଥିବ ଦୃଷ୍ଟିକି ।
 

(୩୩)

-ଶ୍ରୀକୃଷ୍ଣଙ୍କ ଅଷ୍ଟାଦଶ ଚିହ୍ନର ଲକ୍ଷଣ-

ଗୋ ପ୍ରିୟ ସହି-ଆଜି ଆଶ୍ଚର୍ଯ୍ୟ ଦେଖିଲି ମୁହିଁ ।

ଶ୍ରୀକୃଷ୍ଣ ଅରୁଣ ଚରଣ କମଳେ ଦଶ ଚନ୍ଦ୍ର ଛନ୍ତି ଉଇଁ ।୦।

 

ପାଦେ ପାଦ ଦେଇ ତ୍ରିଭଙ୍ଗିମା ହୋଇ

ନୀପମୂଳେ ଥିଲେ ସେହି,

ନୟନ ଚକୋର ମୋ ଡୋଳା ଭ୍ରମର

ତହିଁରେ ପଡିଲା ଯାଇ ।୧।

 

ଧ୍ୱଜ ବଜ୍ରାଙ୍କୁଶ ଛତ୍ରାରି କଳଶ

କମ୍ବୁ ଉର୍ଦ୍ଧ୍ୱ ରେଖା ଯହିଁ ।

ଅମ୍ବୁଜ ଚରଣ ଦକ୍ଷିଣେ ଦେଖିଲେ ଏହି

ନବ ଚିହ୍ନ ତାହି ଗୋ ।୨।

 

ଅର୍ଦ୍ଧରନ୍ଦ୍ର ଶକ୍ତି କାର୍ମୁକ ଗୋଷଦ

ତ୍ରିକୋଣାଷ୍ଟ ଶଙ୍ଖ ରହି

ସ୍ୱସ୍ତିକ ଯବ ଏ ନବ ଚିହ୍ନ ଶ୍ୟାମ

ବାମ ପାଦେ ବିରାଜଇ ।୩।

 

ଶ୍ୟାମାତ୍ରିକେ ଶ୍ୟାମ ସାମନ୍ତ ସମାନ

ଅଷ୍ଟାଦଶ ଚିହ୍ନ ବହି,

ଧ୍ୱଜେ ଜଗଜ୍ଜୟ ବଜ୍ରେ ଉପଇନ୍ଦ୍ର

ଅଙ୍କୁଶେ ଐଶ୍ୱର୍ଯ୍ୟ ଦାୟୀ ।୪।

 

ଛତ୍ରେ ରାଜଶିରି ଚକ୍ର କୁଟ ହରି

କଳଶେ ମଙ୍ଗଳ ଦେହୀ ।

ଜମ୍ବୁଦ୍ୱୀପେ କର୍ତ୍ତା ରେଖା ଉର୍ଦ୍ଧ୍ୱରେତା

ପଦ୍ମ ପଦ୍ମ ପ୍ରେମ ଗ୍ରାହୀ ।୫।

 

ବର୍ଦ୍ଧିତ କିଶୋର ଶକ୍ତି ଧନୁର୍ଦ୍ଧର

ଗୋଷ୍ପଦେ ଗୋଲକ ସାଇଁ ।

ତ୍ରିକୋଣାଷ୍ଟନାଥ ଶମ୍ଭୁ ଜଗଜିତ୍‌

ଯବ ସ୍ୱସ୍ତି ବିଦ୍ୟା ଦାୟୀ ।୬।

 

ଯେଉଁ ପାଦାବଳି କାଳି ଦଳି ମାଳି

ଅହଲ୍ୟାକୁ କଲା ତ୍ରାହି,

ବୋଲେ ଜଗନ୍ନାଥ ସେ ପାଦୁଁ ସମ୍ଭୂତ

ଗଙ୍ଗା ଶିବ ଶିର ଶ୍ରାହି ।୭।

 

(୩୪)

- ଶ୍ରୀମତୀଙ୍କ ଉନବଂଶ ଲକ୍ଷଣା-

(ସର୍ବାଙ୍ଗ ଚମ୍ପୂ)

ପ୍ରଥମା ରାମା ପାଦ ଛବିକି ।

କି ବର୍ଣ୍ଣିବି ବର୍ଣ୍ଣିଲେ ସେ ଭମକରେ କବି କି । ଘୋଷା ।

 

ଛତ୍ରାର ଧ୍ୱଜ କୁସୁମ ବଲ୍ଲୀ ବଳୟ ସ୍ୟନ୍ଦନ,

କମ୍ବୁ ପଦ୍ମାଦି କଳଶ ଇନ୍ଦୁରେଖା ପବିକି ।୧।

ଦେବୀ ମତ୍ସ୍ୟ ଯବାଙ୍କୁଶ- ଶକ୍ତି ଗଦା ଉନବିଂଶ

ପାଦ ବଳା ବାଜେ ପଳା, ମାରରେ ମାନବିକି ।୨।

 

ସ୍ମରଙ୍ଗ ରଙ୍ଗ ଜବାକୁ ଶାରଙ୍ଗ ରଙ୍ଗ ପ୍ରଭାକୁ,

ନିନ୍ଦେ ଅଳତା ଲତା, ଉଦେ କାଳ ରବିକି ।୩।

ଦେଖି ସେ ପୟର ଗତି, ଦିଗନ୍ତ ହୋଇଲେ ଦନ୍ତୀ

ଲାଜପାଇ ରାଜହଂସ, ତେଜିଲେ ସେ ଭୁବକି ।୪।

 

ସୁମଙ୍ଗଳ ପଦ ଏହି, ଯୁଗଳ ଚରଣ ଧ୍ୟାୟି,

ବୋଲେ ଜଗନ୍ନାଥ ସତେ, ତେଜିବି ଏ ଜୀବକି ।୫।

 

(୩୫)

-ଜାନୁ ବର୍ଣ୍ଣନା-

ଅନୁମାନ କଲି ଯେ ବାଳା ଜାନୁ ଯୁଗଳକୁ ।

ଅନୁବ୍ରତେ ଘେରି ବାସବ ରହିଛି

ଡ଼ରେ ଯାହା ପ୍ରବଳକୁ । ଘୋଷା ।

 

ବୃଶାଳ ରସାଳ, ଏ ରମ୍ଭା ଯୁଗଳ

ଓଲଟିଛି ମଙ୍ଗଳକୁ ।

ଖେଳା ଖଞ୍ଜନାକ୍ଷି, ଭେଳାକି ବାନ୍ଧିଛି

କାମ ସିନ୍ଧୁ ଅଥଳକୁ । ୧।

 

କରଭୋରୁ-ଜିଣା, ମଧୁବ୍ରାତ ଫେଣା

ରସ ଜଘନାର କୋଳକୁ ।

ନିତମ୍ୱ-ବିମ୍ବଏ, ଜନକ ତୁମ୍ଭଏ

ବୀଣା ଦଣ୍ତ ସରଳକୁ ।୨।

 

ଶ୍ରୋଣି-ତୀର୍ଥ-ଶୀଳା, ତରୁଣୀ କୁଶଳା-

ହୃଦ ତାର ଶୀତଳକୁ ।

ବୋଲେ ଜଗନ୍ନାଥ, ଏହି ଜାନୁରଥ,

ମନମଥ ପ୍ରଚଳକୁ ।୩।

 

(୩୬)

-କଟି ବର୍ଣ୍ଣନା-

ଆହା ସୁନ୍ଦର କଟି,
କାହା ସୁନ୍ଦରୀ ଯାଏ

ବଜାଇ ଘଣ୍ଟି । ଘୋଷା ।

 

କି ସୁଧା କୁମ୍ଭକଣ୍ଟ ରସାଣ କଣ୍ଠୀ,

ହର ଡ଼ମ୍ବରୁ ଜିଣି ବାଜେ ଓଲଟି ।୧।

ସିଂହ ମଝାରୁ ଅର୍ଦ୍ଧେ ନୃସିଂହ ବାଣ୍ଟି,

ତଳେ ନେଉଛି ବାଳା କଟିକି ହଟି ।୨।

 

କି କାମଦେବ ଦୋଳଚକ୍ର ଅଖଟି;

ହେମ ଅୟେଳା ତିଳ ବଳା କଷଟି ।୩।

ଚାରୁ ଯୌବନେ ସରୁ ମଝା ଚହଟି,

ଭାଙ୍ଗିଲା ଭାଙ୍ଗିଲା ବୋଲି କିଙ୍କିଣୀ ରଟି ।୪।

 

ବୋଲଇ ଜଗନ୍ନାଥ ସ୍ମରଣ କଣ୍ଠୀ,

ମେରୁ ମେଖଳା ବାଳା କୁନ୍ଦନ ପଟି ।୫।

 

(୩୭)

-କୁଚ ବର୍ଣ୍ଣନା-

ଏ ନବ କାମିନୀ କିଏ ଘନ କୁଚା ।

ବସନ ଫୁଟି ଦିଶଇ ଉରଜ ଦୂରକୁ ବଡ଼ଉଚା ଉଚ୍ଚା ।୦।

 

କି ଶମ୍ଭୁ ସ୍ୱୟଂ ଭୂ ହେମଗିରି କୁଳଞ୍ଚା ।

ମୋତିର ହାରା ବହେ ତ୍ରିଧାରା,

ବହିଛନ୍ତି କହି ତାଙ୍କୁ ବିରହ ଦୁଃଖ ଘୁଞ୍ଚା ଘୁଞ୍ଚା ।।୧।।

 

ମୋହିନୀ ଘେନି ଏ ସୁଧା କୁମ୍ଭ ଦିପଞ୍ଚା ।

କ୍ରୀଡ଼ା ସାରିଣୀ କୁନ୍ଦକ ବେନି

ବଳି ପରିଧି ହୋଇଲା ଏହା ରାବରେ ଲୁଚା ଲୁଚା ।୨।

 

କିବା କାମଦେବ ଦୋଳ ମଣ୍ତପ ସଞ୍ଚା ।

କରୀ କରଭ, କୁମ୍ଭ ଦୁର୍ଲ୍ଲଭ,

ଓଲଟି ରହିଛି ଧଂସା ବାଜି ବରହୀ ନଚା ନଚା ।୩।

 

ବୋଲେ ଜଗନ୍ନାଥ ମୋହନ ମନରୁଚା ।

ପଙ୍କଜ କଢ଼ି, ଯୋଡ଼ିଏ ବଢ଼ି

କି ସୁନ୍ଦର ଦିଶେ ସୁନ୍ଦରୀ ପ୍ରାଣ ବଞ୍ଚା ବଞ୍ଚା ।୪।

 

(୩୮)

- ଚାପାଦି ଅଳଙ୍କାର ବର୍ଣ୍ଣନା-

ଚାହାଁ ଏ ବାଳା ଗଲା ଚାପସରିକି ଲୋ ।

ନାହାନ୍ତି କେହି ଏହା ମାପ ସରିକି ଲୋ । ଘୋଷା ।

 

କିରଙ୍ଗେ ଗଜ ମୋତି, ଗୁନ୍ଥିଛି ପନ୍ତି ପନ୍ତି

ହୀରା ପଦକ ଝରା କାପ ସରିକି ଲୋ ।

କମ୍ବୁ କଣ୍ଠୀ ଶମ୍ବୁ ରେଖା ଅମ୍ବୁ ଝରିକି ଲୋ ।୧।

 

ଘେନି ସୁନାଗରୀ, ସୁନା ପଞ୍ଚନରିକି

ସେଇ ପିକ ବାଣୀ ଭାଷି ରମଣୀ ମଣି

ନିଅଇ କିଣି ବଳେ ଅପସରିକି ଲୋ ।୨।

 

କଣ୍ଠ ମଣ୍ତନା ଉତ୍କଣ୍ଠା ସ୍ୱର ଧରିକି;

ବଢ଼ାଇ କରି ପଢ଼ାଏ ଶୁକ ଶାରୀକି;

ଉଚ୍ଚାରୁ ଚାରୁ ସ୍ୱର, ସୁଚାରୁ ଚାରୁ ହାର,

ଝଟକି ପଡ଼େ ହୀରା ଧାପ ସରିକି ଲୋ ।୩।

 

କି ସୁଗ୍ରୀବା ଗ୍ରୀବା ମୁକୁର ମାଧୁରୀକି;

ଫୁଟିଦିଶେ ପାନବୋଳ ଗଳେ ପୂରିକି,

ଜଗନ୍ନାଥ କହଇ, ବୀଣା ଭାଷାର ପାଇ,

ତେଜିବି ଉଣା କିଣା ପାପ ପରିକି ଲୋ ।୪।

 

(୩୯)

-ବାହୁ ବର୍ଣ୍ଣନା-

ସୁନ୍ଦର ବାହୁ;

କି ହୁନ୍ଦର କରି ବିହି ନିର୍ମାଣିଛି ତାହୁଁରେ । ଘୋଷା ।

 

କି କୁନ୍ଦ କନକ ସ୍ତମ୍ଭ, କୁନ୍ଦେ ହୋଇ ପରିରମ୍ଭ

ଆଜାନୁ ଲମ୍ବିତ ଜାନୁ ରତ୍ନସାନୁ ଚାହୁଁ ରେ ।୧।

କଳିତ ମୃଣାଳ ଲତା ଜୃମ୍ଭାଳ ସେ ହୋଇ ମତା;

ଭୁଜ ଭୁଜଙ୍ଗମ ପ୍ରେମ ଫାଶ ଖୋଜୁ ଥାଉରେ । ୨।

 

କୁଚ ଗିରି ମୂଳୁଁ ଆସି କିଅବା ସ୍ୱର୍ଣ୍ଣାଦି ଖସି

ବାଜୁବନ୍ଧେ ବନ୍ଦୀ ହୋଇ କିବା ପଡ଼ୁ ନାହୁଁରେ ।୩।

କାମତ୍ରୋଣା ସ୍ତମ୍ଭଝରା, କାମ ନେତ୍ରୀ ଦମ୍ଭ ହରା

ଚମ୍ପା କଳି ଅଙ୍ଗୁଳିରେ ଝରାକି ଝୁଲାଉରେ ।୪।

 

କଙ୍କଣ ଝଙ୍କାର ଧ୍ୱଂସା, ବାଜେ ବିଜେ ରସାଳସା

ବୋଲେ ଜଗନ୍ନାଥ ଏକି ତାଡ଼କୀ ସୁବାହୁରେ ।୫।

 

(୪୦)

-ଦନ୍ତ ବର୍ଣ୍ଣନା-

କୁନ୍ଦ ଦନ୍ତୀକି,

କିଏ କୁନ୍ଦିଦେଲା ଦନ୍ତ ପଙକ୍ତିକି ।

ହୀରା ଶାଣେ ଶାଣୀ ରସାଣେ ରସାଣି

ଖଞ୍ଜିଅଛି କତି କତିକି । ଘୋଷା ।

 

ପରମେଷ୍ଟି ସୃଷ୍ଟି ଚିନ୍ତା ଛାଡ଼ି କିବା

ଏକାନ୍ତରେ ଦିବା ରାତିକି ।

କୋଟି କୋଟି ଅବ୍ଗ ଗୋଟି ଗୋଟି ରଦ

ଗଢ଼ିଛି ଜଗତି ଗତି କି ।୧।

 

ସୁଧା ସିନ୍ଧୁ ଚନ୍ଦ୍ର ବିନ୍ଦୁଏ ଦଶନ

ପଦ୍ମରାଗ ପ୍ରଭାବତିକି

ଅତି ଜ୍ୟୋତି ମୋତି ଜଳେ ବୁଡ଼ି ନିତି

ରସି ହେଲା ରତି ରତି କି ।୨।

 

ହସି ଭାଷିବାରୁ ଦିଶି ଯାଏ ଦୁରୁଁ

କରକ ବୀଜି ସଂଘତି କି ।

କୁନ୍ଦ କତି କୁଞ୍ଜେ ସମ ନୋହି ଲାଜେ

ଫୁଟି ଝଡ଼େ ରାତି ରାତି କି ।୩।

 

ଧୀରା ଦନ୍ତ ହୀରା କଷେ କଷି ପରା-

କ୍ଷର ବତୀ ଶବ ସତୀ କି ।

ଜଗନ୍ନାଥ କହେ ଦ୍ୱୀଜ ଚନ୍ଦ୍ର କିଏ

ଧ୍ୟାଏ ଖଗ ପତି ପତିଙ୍କି ।୪।

 

(୪୧)

-ନାସା ବର୍ଣ୍ଣନା-

କିସୁନ୍ଦର ନାସାଟେକରେ ସଙ୍ଗାତ

କିସୁନ୍ଦର ନାସାଟେକ,

ତିଳକେ ତିଳକେ ବଶ କରୁଅଛି

ବସଣୀ ଛବି ଛଟକ ।୦।

 

ଦଣ୍ତିଗୁଣା ମଣ୍ତି ହୋଇଛି ତ୍ରିଦଣ୍ତୀ

କାମୀକାମର ଉଦ୍ଗାଟକ,

ଗରୁଡ଼ କାଣ୍ତ ଆରୁଢ଼ ହୋଇ ନଥ

ଚକ୍ରଧର ସଂବ୍ରାଟକ

 

କସ୍ତୁରୀ କଳିକା ବିନ୍ଦୁ ଇନ୍ଦୁରେଖା

ମାର ବରଛିଛି କଣ୍ଟକ,

ତିଳଫୁଲେ ନୀଳ ଭୁଜଙ୍ଗ ମଖେଳା

ନାସା ନୀଳମଣି ଝଟକ

 

କି ମାଦକ ଜାଣେ ସୁଗନ୍ଧ ଆଘ୍ରାଣେ

କରିଛି ମାଛି ଅଟକ

ଝୁଲାଇ ମୋତିକି ଭୁଲାଇ ନିଅଇ

ଫୁଲାଇ ପୁଡ଼ା ନଟକ ।୩।

 

ଶୋଭା ସିନ୍ଧୁର ତୁ ପ୍ରଭା ସ୍ୱର୍ଣ୍ଣ-ସେତୁ

ଜଗତ-ପ୍ରାଣ କଟକ ।

ଜଗନ୍ନାଥ କହେ କିଂଶୁକ କଳିଏ

ଶୁକ ଚଂଚୁ ବରାଟକ ।୪।

 

(୪୨)

-ନେତ୍ର ବର୍ଣ୍ଣନା-

କିରଙ୍ଗେ ଚାହିଁଲା ।

ଅପାଙ୍ଗ-ନୟନେ ମୋର ମନକୁ ଏ ମୋହିଲା । ଘୋଷା ।

 

କିବା ଏ ନେତ୍ର-କୁରଙ୍ଗ ସଙ୍ଗ- ଭଙ୍ଗ ହୋଇଲା;

କାମକାଣ୍ତେ ଝାମ ଯାଇ ଚମକି କି ହେଲା । ୧।

ଏମନମୋହଦ-କରା ଚିତ୍ତ-ଚୋର ଧଇଲା;

ତରଙ୍ଗରେ ତରଳାକ୍ଷୀ ହୃଦ ତରଳାଇଲା ।୨।

 

ଶ୍ରବଣା ବିଶାଖା-ତାରା ତ୍ୱରା ପରା ଉଇଁଲା;

ମୀନ ରାଜିବକୁ ନେଇ ଜଳରେ ବୁଡ଼ାଇଲା ।୩।

ଅଞ୍ଜନ ସୂତ୍ରରେ ବାନ୍ଧି ଖଞ୍ଜନ ଖେଳାଇଲା;

ଅବଳା ହୋଇ ଏ କଟାକ୍ଷ କଟାରୀ ମାଇଲା ।୪।

 

ସ୍ତମ୍ବନ, ମୋହନ, ବଶ୍ୟ, ଉଟ୍ଟାଟନ ପାଇଲା;

ବୋଲେ ଜଗନ୍ନାଥ ଏହି ପ୍ରେମାଞ୍ଜନୀ ଅଇଲା ।୫।

 

(୪୩)

-କର୍ଣ୍ଣ ବର୍ଣ୍ଣନା-

କି ମୋହନ ଏ କର୍ଣ୍ଣ ମଲ୍ଲୀକଢ଼ି

ଅନାଇ ବିରହେ ମୁଁ ମଲିଟି ପଡ଼ି ପଡ଼ି । ଘୋଷା ।

 

ବିଶ୍ୱ ମୋହିନୀ ଆରତ୍ରି, ଦର୍ପକ ଦର୍ପଣ ପାତ୍ରି,

କାମ ପ୍ରେମଫାଶୀ କିଏ ଆସେ ବଢ଼ି ବଢ଼ି ।୧।

ପାଟଳି କୁସୁମ ପ୍ରଭା, ନିନ୍ଦେଏ ଶ୍ରବଣ ଶୋଭା,

ତାଟଙ୍କ ଝଟକ ନାଟରେ ଘଡ଼ି ଘଡ଼ି ।୨।

 

ବିଭ୍ରମ ତତ୍ର ଭଉଁରୀ, ଜ୍ଞାନ ବୁଡ଼ା ମନୋହାରୀ;

କୁଣ୍ତଳ ମଣ୍ତିତ ଗଣ୍ତ ଯୁଗ ଜଡ଼ି ଜଡ଼ି ।୩।

ଏକର୍ଣ୍ଣ କି ଦାନୀ କର୍ଣ୍ଣ, ନକରେ ରତନ ଦାନ;

ବହ୍ମ ଜାତି ହୀରା ପ୍ରତି-ଗ୍ରୀହୀ ଧାଡ଼ି ଧାଡ଼ି ।୪।

 

ଜଗନ୍ନାଥ କହେ କର୍ଣ୍ଣ- ଧାର କର ସତାରଣ;

ଏ ଭବ ସିନ୍ଧୁ ଲହରି ଆସେ ମାଡ଼ି ମାଡ଼ି ।୫।

 

(୪୪)

-ଭ୍ରୂଲତା ବର୍ଣ୍ଣନା-

ହାଟକ ଶୁଭ୍ରାଙ୍ଗୀ, ଝଟକ ଅଙ୍ଗୀ,

ଝଟକରେ କଟକରେ ନଚା ଭୁରୂ ଭଙ୍ଗୀ ।ଘୋଷା ।

 

ଏଭ୍ରୂଲତା ମୃଦୁଲତା, ଉର୍ଦ୍ଧ୍ୱରେତା ହତଚେତା

କିଦର୍ପକ ଇନ୍ଦ୍ରଧନୁ ଉଦେ ପ୍ରାଣ ସଙ୍ଗୀ ।୧।

ବାଣୀ ପଦ୍ମ ତୋଳା ବାରି, କର୍ଣ୍ଣ ବିଳରୁ ବାହାରି,

ବିଳସନ୍ତି ବିଳେଶୟ ଏ ବାଳ ଭୁଜଙ୍ଗୀ ।୨।

 

କି କେତୁ ମକର ଏହି, କୃଷ୍ଣାର୍ଜୁନ ସଖା ଦୁଇ

ନୀଳକଣ୍ଠ ଚୂଳ ଚାରୁ ଚନ୍ଦ୍ରିକା ବିଭ୍ରାଙ୍ଗୀ ।୩।

ଭାଲଚିତ୍ର ନେତ୍ର ଦ୍ୱନ୍ଦ, ସୀମା ବାର ଲୀଳା ବନ୍ଦି,

ବୋଲେ ଜଗନ୍ନାଥ କାମ କଟାରୀ ଭୁଜଙ୍ଗୀ ।୪।

 

(୪୫)

-କେଶ ବର୍ଣ୍ଣନା-

ହେବନାହିଁ ହେବନାହିଁ

ହେ ବନଦ ବନଜାକ୍ଷୀ କେଶ ଶୋଭାକୁ ।

ଥିବ ନାହିଁ ଥିବନାହିଁ ତ୍ରିଭୁବନେ ଉପମା ଆଉ ଦେବାକୁ । ଏ କିଶୋରୀ ।

କେଶ ଶେଷ ମେଘ ଧରି ।

ପୃବା ସୃଷ୍ଟି କିବା ପ୍ରଳୟ କରିଚ ବରଷି ସଂବର୍ତ୍ତ ବାରି । ୧।

 

ବକ୍ର ଭଉଁରିଆ, ଚକ୍ର ଭଉଁରିଆ ଶତ୍ରଧନୁ ଉଦିଆରେ

ମଞ୍ଜୁର ବଧୁ ନିମକ୍କନ କିଙ୍କିଣୀ ଅବତଂସ ବିଦ୍ୟୁମାରେ ।ସେ ଚତୁରୀ ।

ଚିତ୍ତ ଚାତକର ଉଲ୍ଲାସୀ ।

ସ୍ନାନ ଚାରୁଧାରା, ପଡ଼ି ବସୁନ୍ଧରା

ଚେତା-ତୃଣ ଗଲା ଭାସି ।୨।

 

ଅନୁମାନେ ତକି, ବିଳମ୍ବ ଗତିକି ପ୍ରଳମ୍ବିତ କୃଷ୍ଣ ଚେମରୀ ।

ପୂଥ ଭ୍ରଷ୍ଟ ହୋଇ ପଥ ପାଉନାହିଁ

ପଛକୁ ପୃଚ୍ଛକୁ ଉଭାରି ସେ କାଳିନ୍ଦି କର୍ଣ୍ଣାଞ୍ଚଳୁ ଆସେବହି

ବରହି କୁଳେ ସେ,

ପୁଛି ଚାଳି ଆସେ କାଳିକା କାଳକୁ ଚାହିଁ ।୩।

 

ପୂର୍ବାପର ହୋଇ କୃଷ୍ଣ ଶୁକ୍ଳ ଦୁଇ ପକ୍ଷ ଲକ୍ଷମାନ ହୋଇଲା

ଆଗେ ପୌର୍ଣ୍ଣମାସୀ ପଛେ ଅମାବସ୍ୟା ।

ମଧ୍ୟରେ ପ୍ରତିପ ରହିଲା । ସେ ଯାମିନୀ ।

କାମିନୀ କଳା କଉତୁକ ।

ବୋଲେ ଜଗନ୍ନାଥ ମୃକ୍ତ କେଶୀ ଏତ

ମର୍କତ ମଣି ରୂପକ ସେ ।୪।

 

(୪୬)

-ରାଧାଙ୍କର ପଞ୍ଚବିଧମାନର ଲକ୍ଷଣ-

(ଆଷାଢ଼ ଶୁକ୍ଳ)

କୁଞ୍ଜବିହାରୀ ହେ କରୁଣା ନିଧି,

ଶୁଣିମ ରାଧା ମାନ ପଞ୍ଚବିଧି ।

ତୁମ୍ଭ ସଙ୍କେତେ ବିଷମ ସଂକଟେ,

ପଡ଼ିଣ ପଣ୍ତିତବର ଉଚ୍ଚାଟେ,

ଗଣ୍ତେ କର ଦେଈ ।

ବସିଛି ପ୍ରଥମ ମାନ ବିରହୀ ।୧।

 

ଦୃତୀ ବାଣୀ ଶୁଣି କାମ ମୋହନ,

କହନ୍ତି ମୋଧନ ନଜାଣେ ମାନ ।

ସହିତେ ସେ ନଟୁ କ୍ରୀଡ଼ା ଦେଖୁଥିଲା,

କୁଚାଞ୍ଚଳୁ ତା ନଟୁ ବାହାରିଲା ।

ହୋଇ ଆଚମ୍ବିତ ।

ସେଦିନ ଗଣ୍ତେ ଦେଇଥିଲା ହସ୍ତ । ୨।

 

ଅବୋଧ ବାମା ସେ ରାଜକୁମାରୀ,

ବୋଧିଲେ ବୋଧ ନମାନେ କାହାରି,

ସ୍ୱାଧୀନ ଭର୍ତ୍ତୃକା ବିଯୋଗୀ ହୋଇ,

ପଣ୍ତିତା ନାୟିକା ଭାବେ କାନ୍ଦଇ,

ପଦ୍ମ ନେତ୍ରୁଁ ନୀର ।

ଦ୍ୱିତୀୟ ମାନେ ବହେ ଅଶ୍ରୁଧାର ।୩।

 

ଅନିର୍ବଚନୀୟା ଐଶ୍ୱର୍ଯ୍ୟ ଦାୟୀ,

ଅଶୋକ ନାରୀ ସେ ଆନନ୍ଦମୟୀ,

ବାସକ ଶଯ୍ୟାରେ ଦିନେ ଅବଳା,

 

ଗୋପ ବିହାର ଗୀତ ବୋଲୁଥିଲା,

ହୋଇ ପ୍ରେମଭୋଳ ।

ସେଦିନ ବହିଥିଲା ଅଶ୍ରୁଜଳ ।୪।

 

ଅପୂର୍ବ ଦେଖିଲି ତାପୂର୍ବ ରୀତି,

କିଞ୍ଚିତେ ଚିତ୍ତେ ନାହିଁ ଦିବାରାତି,

କହିଲେ କହେ କହନା ସେକଥା,

କଳହାନ୍ତରିତା ପ୍ରାୟେ ବନୀତା,

ହୋଇ ଉଦାସିନୀ ।

ତୃତୀୟ ମାନେ କହେ ନାନା ବାଣୀ ।୫।

 

ପ୍ରମଦା ପ୍ରେମେନ୍ଦ୍ର ଚିତ୍ତ ପ୍ରମୋଦେ,

ନାହିଁ ନକରଇ ଦୟାର୍ଦ୍ର ହୃଦେ,

ବାନ୍ଧବୀ କି ଦିନେ ମାଧବୀ କୁଞ୍ଜେ,

କୋଳେଧରି ବଳେ ଶୁଆଇ ଶେଯେ

ମାଗନ୍ତେ ସୁରତି ।

ସେଦିନ ନାଁ ନାଁ କହିଛି ସୁମତି ।୬।

 

ଅଶନ ବସନ ବେଶ ଭୂଷଣ,

ତେଜି ରାଜୀବ ମୃଖୀ ଅନୂକ୍ଷଣ,

କୁଚ କନ୍ଦିରେ ଚନ୍ଦ୍ରମୁଖ ଦେଇ,

ବସି ବିଷାଦେ ଅଭିସାରୀ ହୋଇ,

କରଜରେ ମହୀ ।

ଚତୁର୍ଥ ମାନେ ଅବନୀ ଚିରଇ ।୭।

 

ମୋରୁପ ଚିତ୍ରପଟେ ଲେଖି ବାଳା,

ଚୁମ୍ବଦେଉଁ ମୁଖେ ଲାଗିଲା କଳା,

କନିଷ୍ଠ ଅଙ୍ଗୁଳି କରଜ ମୂଦେ,

ମହୀକି ଚିରେ କାଳି ଘରଷଣେ,

ମୋହ ଜାଣିବାର ।

ସେଦିନ ନଖେ ଲେଖିଅଛି ଗାର ।୮।

 

ପ୍ରୋଷିତ ଭର୍ତ୍ତୃକା ନିକୁଞ୍ଜ ବାସେ,

ତୁମ୍ଭ ଗତିପଥ ଚାହିଁ ନିରାଶେ,

ବିରହ ବିଚ୍ଛେଦ ଉତ୍କଣ୍ଠା ହୋଇ,

ବିରସ ବଦନେ ଶିରୀସ ଦେହୀ,

ବସିଛି ମଉନେ ।

ପିଠି ଆଡ଼ି ଦେଇ ପଞ୍ଚମ ମାନେ ।୯।

 

ବିପ୍ରଳବ୍ୱା ପ୍ରେମେ ଅଛି ମନାଇ,

ସମ୍ମୁଖ ବିନୁ ଆଣିହେବ ନାହିଁ,

ଦିନେ ଏକା ନଖକ୍ଷତ ଅନାଇ,

ଦେଖୁଥିଲା କୁଚେ ବସନ ଫେଇ,

ମୋ ଯିବା ସମୟେ ।

ସେଦିନ ପିଠି ଦେଇଅଛି ପ୍ରିୟେ ।୧୦।

 

ମାନିନୀ ମାନେ ମାନଭର ହୋଇ,

ଗଣ୍ତସ୍ଥଳେ କର ଦେଇ କାନ୍ଦଇ,

ଅଶ୍ରୁଜଳେ ଧୌତ ହୋଇ ଅଞ୍ଜନ,

ପ୍ରବୋଧିଲେ କହେ ନା-ନା ବଚନ,

ଜଗନ୍ନାଥ କହି ।

ପିଠିଦେଇ ନଖେ ଚିରଇ ମହୀ ।୧୧।

 

(୪୭)

(ମାଥୁର)

କାଲିଯିବେ ବଂଶୀଧାରୀ, ବୃନ୍ଦାବନ ଶୂନ୍ୟ କରି ।

ଯାହାଲାଗି ଏସୁବେଶ ହେଉ ଗୋ ରାଧା କିଶୋରୀ । ଘୋ ।

 

ଯାସ୍ନେହେ ଗୁନ୍ଥୁଛୁ ହାର, ତାହାକୁ ନେବ ଅକ୍ରୁର,

ଆହା କରିବାକୁ ତୋର ସାହା କେହିନାହିଁ ପ୍ୟାରୀ ।୧।

ବିରହରେ ପାଇ ବାଧା, ନିରବଧି କରି ଶ୍ରଦ୍ଧା,

କେ ଡାକିବ ରାଧା ରାଧା ମୋହନ ମୂରଲୀ ଧରି ।୨।

 

କାମ ସିନ୍ଧୁ ଲାଗି ଡରି, ଶ୍ୟାମନାବ ଥିଲୁଁ କରି

ବାମହୋଇ ଗିରିଧାରୀ ବୁଡ଼ାଇଲେ ବ୍ରଜନାରୀ ।୩।

ଆସ ଏବେ ଯମୁନାରେ, ଝାସଦେବା ତା’ ନାମରେ,

ଭାଷେ ଜଗନ୍ନାଥ ଏଡ଼େ ଦାରୁଣ କୁଞ୍ଜବିହାରୀ ।୪।

 

(୪୮)

-(କାଳୀଙ୍କ ପ୍ରତି)-

କଂ କଂ କଂ କାଳୀକା କପାଳ ମାଳିକା ।

ଖଂ ଖଂ ଖଂ ଖଡ଼ୁ ଖର ଖପର ବିଶିଖା ।୧।

ଗଂ ଗଂ ଗଂ ଗଗନ ଗମନା ବନ ଦୁର୍ଗା ।

ଘଂ ଘଂ ଘଂ ଘଣ୍ଟା ଘୋର ଘର୍ଘରି ଘନର୍ଘା ।୨।

 

ଓଁ ଓଁ ଓଁ ଓଁକାର ଉମା ଉନ୍ମତ୍ତା ଉଲଗ୍ନର ।

ଜଂ ଜଂ ଜଂ ନୈଋତ ନିରୁତ ଋଣ ମଗ୍ନା । ୩।

ଚଂ ଚଂ ଚଂ ଚଞ୍ଚଳା ଚମକ ଚିତ୍ର ବାଚା ।

ଛଂ ଛଂ ଛଂ ଛଦ୍ମ ଚ୍ଛେଦ ଷଡ଼ ସ୍ୱଚ୍ଛ ଇଚ୍ଛା ।୪।

 

ଜଂ ଜଂ ଜଂ ଜଗନ୍ମାତ ଜୟ ଯଜ୍ଞ ଧ୍ୱଜା ।

ଝଂ ଝଂ ଝଂ ଝମକ ଝୁଣ୍ଟିଆ ରଣ ଝଞ୍ଜା ।୫।

ନିଂ ନିଂ ନିଂ ନିତ୍ୟ ନିଶାଚର ନିର୍ମୁଳିନୀ ।

ନୁଂ ନୁଂ ନୁଂ ନୁପୁର ନିଋତ ନୃତ୍ୟୟନୀ ।୬।

 

ଟଂ ଟଂ ଟଂ ଟଙ୍କାର ଟଙ୍କିତ ମଦୋତ୍କଟ ।

ଠଂ ଠଂ ଠଂ ଜଗନ୍ନାଥ ନମେ ରକ୍ତ ଓଷ୍ଠ । ୭।

 

ସମାପ୍ତ