ଉଦ୍ଧବ ଚଉତିଶା

ଉଦ୍ଧବ ଚଉତିଶା

ଭୂପତି ପଣ୍ଡିତ

 

(ଆନୁମାନିକ ୧୬୫୦ ଖ୍ରୀ.ଅ. ପରବର୍ତ୍ତୀ କାଳର କବି ଭୂପତି ପଣ୍ଡିତ । କବିଙ୍କ ‘ପ୍ରେମ ପଞ୍ଚାମୃତ’ କାବ୍ୟ ଏକ ଅନବଦ୍ୟ ସୃଷ୍ଟି । ଭାଷା ସରଳ, ସହଜ ଓ ସୁବୋଧ୍ୟ । ତାଙ୍କର ‘ଉଦ୍ଧବ ଚଉତିଶା’ ଉତ୍କୃଷ୍ଟ ରଚନା । ଗୋପୀ ପ୍ରେମର ପରାକାଷ୍ଠା ଏଥିରେ ଫୁଟି ଉଠିଛି । କବି ଦୀନକୃଷ୍ଣ ଦାସ ଓ ଭ୍ରମରବର ରାୟଙ୍କର ‘ଉଦ୍ଧବ ଚଉତିଶା’ ରହିଛି ।)

 

କୃଷ୍ଣଗୁଣ ଗୁଣି ବରଜତରୁଣୀ ଉଦ୍ଧବେ କହନ୍ତି ଏକ

କଳା ଲୋକଙ୍କର ସଙ୍ଗତେ ପୀରତି କଲାଲୋକେ ଅବିବେକ

ଉଦ୍ଧବ ହେ !

କସ୍ତୁରୀ ଭୃଙ୍ଗ କୋକିଳ

କୃଷ୍ଣ, କେଶ, ଫଣୀ, ରାହୁ, ଯମ, ଶନି, କାଳିଆ କେଉଁଟା ଭଲ ।୧।

 

ଖଣ୍ଡ, ଶାକର, ଦୁଧ, ସର ଖୁଆଇ ଖେଳାଉଡ଼, ବଡ଼କଲୁଁ

ଖଣ୍ଡତପୁଁ ଆମ୍ଭେ କୃଷ୍ଣଫଳ ଲଭି ରମ୍ଭା ତରୁ ପ୍ରାଏ ହେଲୁ

ଉଦ୍ଧବ ହେ !

ଖୀଣ ହେଉ ବଡ଼ କାୟେ

ଖଣ୍ଟପରଚେ ପରମାନନ୍ଦ ପ୍ରୀତି ପ୍ରାଣ ରଖିବା ସଂଶୟେ ।୨।

 

ଗରୁଯଉବନୀ ଗରବେ ଆମ୍ଭେ ତ, ମତ୍ତସିଂହ ପ୍ରାୟେ ହେଲୁଁ

ଗଭୀରକୂପ ଗୋବିନ୍ଦ ପ୍ରତିବିମ୍ବ ପ୍ରେମରେ ହୁଡ଼ି ପଡ଼ିଲୁଁ

ଉଦ୍ଧବ ହେ !

ଗତି ମଧୁମାଛି ପ୍ରାୟେ

ଗିରି ଗହନ ବନ ଲତା ଖୋଜିଣ ନ ଭେଟୁ ମୋହନ ରାୟେ ।୩।

 

ଘନନୀର ବିନୁ ଚାତକର ଯେହ୍ନେ ଅନ୍ୟ ନୀର ନୋହେ ପାନ

ଘନ-ଶ୍ୟାମ ବିନୁ ଘରେ କି ବାହାରେ ନୟନେ ନ ଦେଖୁ ଆନ

ଉଦ୍ଧବ ହେ !

ଘୋଟିଅଛି ଚଉପାଶେ

ଘଟଣ ମୁକୁର ପ୍ରତିବିମ୍ବ ଯେହ୍ନେ ଆଲିଙ୍ଗନକୁ ନ ଆସେ ।୪।

 

ଆକ୍ଷିରୁ ଆମ୍ଭର ପ୍ରତିଚକ୍ଷୁ ପ୍ରାୟେ ଶ୍ରୀକୃଷ୍ଣ ଅନ୍ତର ହେଲା

ଅକ୍ଷର ମାତ୍ରା ଅନୁସ୍ୱାର ସହିତେ ପ୍ରେମ ପୁସ୍ତକ ହୋଇଲା

ଉଦ୍ଧବ ହେ !

ଅନୁଭବ କରୁଁ କରୁଁ

ଆମ୍ଭେ କି କୃଷ୍ଣ, କୃଷ୍ଣ ଆମ୍ଭ ଶରୀର ଦ୍ୱିତୀୟ ଭାବ ପାସୋରୁଁ ।୫।

 

ଭାବାର୍ଥ- (୧-୫) କୃଷ୍ଣଙ୍କର ଗୁଣକୁ ମନେ ପକାଇ ବ୍ରଜତରୁଣୀଗଣ ଉଦ୍ଧବଙ୍କୁ ଏକାନ୍ତରେ କହିଲେ- କଳା ବର୍ଣ୍ଣର ଲୋକଙ୍କ ସହିତ ତି କରିବା ଅବିବେକୀକାର୍ଯ୍ୟ । ହେ ଉଦ୍ଧବ, କସ୍ତୁରୀ, ଭ୍ରମର, କୋଇଲି, କୃଷ୍ଣ, କେଶବ, ସାପ, ରାହୁ, ଯମ, ଶନି କାଳିଆ- ଏମାନଙ୍କ ଭିତରୁ କେଉଁଟା ଭଲ କହିଲ?

 

ଖଣ୍ଡ, ଶାକର, ଦୁଧ, ସର ଖୁଆଇ ତାଙ୍କୁ ବଡ଼ କଲୁ । ଖଣ୍ଡତପସ୍ୟାରୁ ଆମେ କୃଷ୍ଣ ଫଳ ପାଇ ରମ୍ଭା (କଦଳୀ) ଗଛ ପ୍ରାୟ ହେଲୁ । ହେ ଉଦ୍ଧବ, ମୋଟା ଶରୀର କ୍ଷୀଣ ହେଲା । ପରମାନନ୍ଦ ପ୍ରୀତି, ଆମର ପ୍ରାଣ ରଖୁବାରେ ବାଧା ସୃଷ୍ଟି କଲା ।

 

ଉନ୍ମତ ଯୌବନାର ଗର୍ବରେ ଆମେ ମତ୍ତସିଂହ ପ୍ରାୟ ହେଲୁ । ଗୋବିନ୍ଦ ରୂପକ ଗଭୀର କୂପରେ ପ୍ରେମ ପ୍ରତିବିମ୍ବ ଦେଖ୍ ବୁଡ଼ି ମଲୁ । ହେ ଉଦ୍ଧବ, ମହୁମାଛି ପ୍ରାୟ ଗିରି, ଗହନବନ, ଲତା ଅନେକ ସ୍ଥାନ ଖୋଜିଲୁ; କିନ୍ତୁ କେଉଁଠି ହେଲେ ମୋହନଙ୍କୁ ପାଇଲୁ ନାହିଁ ।

 

ଚାତକ ମେଘଜଳକୁ ଚାହିଁ ରହିଥାଏ । ଅନ୍ୟ ଜଳ ସେ ପାନ କରେ ନାହିଁ । ସେମିତି ଘନ-ଶ୍ୟାମ ବିନା ଘରେ ହେଉ କିମ୍ବା ବାହାରେ ହେଉ ଅନ୍ୟ କାହାକୁ ଦେଖୁନାହୁଁ । ହେ ଉଦ୍ଧବ, ଦର୍ପଣରେ ପ୍ରତିବିମ୍ବକୁ ଆଲିଙ୍ଗନ କଲେ କ’ଣ ଲାଭ ଅଛି ? ଏହାକୁ ଆଲିଙ୍ଗନ କୁହାଯାଇପାରିବ ନାହିଁ ।

 

ଶ୍ରୀକୃଷ୍ଣ ଆମ ଚକ୍ଷୁର ପ୍ରତିଚକ୍ଷୁ ଥିଲେ । ସେ ଏବେ ଅନ୍ତର ହୋଇଗଲେ । ଅକ୍ଷର ମାତ୍ରା ଅନୁସ୍ୱାର ସହିତେ ପ୍ରେମ ପୁସ୍ତକ ହେଲା । ହେ ଉଦ୍ଧବ, ଅନୁଭବ କରୁ କରୁ ଆମ ଶରୀର କୃଷ୍ଣମୟ ହୋଇଗଲା । ଦ୍ଵିତୀୟ ଭାବ ପାସୋରି ଗଲୁ ।

 

ଚନ୍ଦ୍ରେ କଳଙ୍କ ପରାୟେ ଜାଗିଅଛି ଜାଗ୍ରତ ନିଦ୍ରା ସ୍ୱପନେ

ଚେତିଲା ସମ୍ପଦ ଭୋଗକୁ ନ ଆସେ ଚିତ୍ର ଫଳ ପୁଷ୍ପ ଯେହ୍ନେ

ଉଦ୍ଧବ ହେ !

ଚାଟୂରେ କ୍ଷୀର କୁମର

ଚାହିଁ ଚିତ୍ତେ ବୋଧ କରି ନ ପାରଇ ଚକୋର ପ୍ରାୟେ ଭ୍ରମର ।୬।

 

ଛନ୍ଦି ଭୁଜ ଭୁଜେ ପ୍ରେମ ଆଲିଙ୍ଗନ ଚୁମ୍ବନ ପାନ ଅଧରୁ

ଛଛନ୍ଦେ କନ୍ଦର୍ପ କୁବେର ଭଣ୍ଡାର ରତିରତ୍ନ ଜୂରକରୁ

ଉଦ୍ଧବ ହେ !

କ୍ଷଣେ ହେଲେ ଦେଖା ଦେଖି

ଛାର ପ୍ରାୟେ କରି ବ୍ରହ୍ମା, ରୁଦ୍ର, ଇନ୍ଦ୍ରପଦ ସଂପଦକୁ ଲେଖି ।୭।

 

ଯୋଗ ସାଧ ବୋଲି ବୋଲ ହେ ଉଦ୍ଧବ ! ଯଦୁନାଥ ଆଜ୍ଞାଦେଲେ

ଜାଣିଲୁ କୁବୁଜା ଯୋଗେଶ୍ଵରୀ ତାଙ୍କୁ ଯୋଗମାର୍ଗ ଶିଖାଇଲେ

ଉଦ୍ଧବ ହେ !

ଯଦୁନାଥ ବଡ଼ ଯତି

ଯୋଗ ଶିଖିଲୁଁ ଏକାରାତ୍ରେ ତା ତହୁଁ ଷୋଳ ସହସ୍ର ଯୁବତୀ ।୮।

 

ଝଳିଲା ମନ ତାଙ୍କ ମଧୁ ନଗରେ ନାଗରୀମାନଙ୍କ ତୁଲେ

ଝାଡ଼ ପିକ ଯେହ୍ନେ କାକକୁଳେ ବଢ଼ି ମିଳଇ ତା ନିଜ ଘରେ

ଉଦ୍ଧବ ହେ !

ଝୁରୁଅଛୁ ତହିଁ ପାଇଁ

ଝଳି କି ଶୋଭା ଶରଦ ପୂର୍ଣ୍ଣଚନ୍ଦ୍ର କାହିଁ ରଖିଛ ଲୁଚାଇ ।୯।

 

ନିର୍ମଳ ପ୍ରେମ ପ୍ରଶଂସିବା ଉଦ୍ଧବ ଦଶରଥ ରାଜାଙ୍କର

ନୟନୁଁ ଅନ୍ତର ହେବା ମାତ୍ରେ ରାମ ପ୍ରାଣ ଛାଡ଼ିଲା ଶରୀର

ଉଦ୍ଧବ ହେ !

ନିଲଜ୍ଜ ଜୀଇଛୁଁ ଆମ୍ଭେ

ନନ୍ଦସୁତ ଛାଡ଼ି ନିରାକାର ଭଜ ଶୁଣିଲୁଁ କହୁଛ ତୁମ୍ଭେ ।୧o।

 

ଭାବାର୍ଥ- (୬-୧୦) ଚନ୍ଦ୍ରରେ କଳଙ୍କ ଥିବା ପରି, ଜାଗ୍ରତ ଅବସ୍ଥାରେ ନିଦ୍ରା, ସ୍ଵପ୍ନ ଜାଗିଛି । ଚିତ୍ରିତ ଫଳ, ପୃଷ୍ଣ ଚେତନ ସମ୍ପଦ ଭୋଗକୁ ଆସେ ନାହିଁ । ହେ ଉଦ୍ଧବ, ଚାଟୂ କରି ଗୋପାଙ୍ଗନାମାନେ ଗୋପାଳ ପୁଅକୁ ବୋଧ କରି ପାରିଲେ ନାହିଁ ।

 

ଭୁଜକୁ ଭୁଜ ଛନ୍ଦି ପ୍ରେମ ଆଲିଙ୍ଗନ, ଚୁମ୍ବନ, ଅଧର ପାନ କଲି । ସ୍ୱଚ୍ଛନ୍ଦରେ କନ୍ଦର୍ପ କୁବେର ଭଣ୍ଡାର ରତି ରଖୁ ଜୁର କରୁ । ହେ ଉଦ୍ଧବ, କ୍ଷଣିକ ପାଇଁ ପରସ୍ପର ମଧ୍ୟରେ ଦେଖା ସାକ୍ଷାତ ହେଲେ ସେମାନେ ବ୍ରହ୍ମା, ଇନ୍ଦ୍ର, ରୁଦ୍ର, ଇନ୍ଦ୍ରପଦ ସମ୍ପଦକୁ ଛାର ପ୍ରାୟ କରି ଦିଅନ୍ତି ।

 

ହେ ଉଦ୍ଧବ, ତାଙ୍କୁ ଯୋଗ ସାଧନ ପାଇଁ କୁହ । ଯଦୁନାଥ ଆଜ୍ଞା ଦେବାରୁ ଆମେ ଜାଣିଲୁ ଯେ, କୁବୁଜୀ ଯୋଗେଶ୍ୱରୀ ତାଙ୍କୁ ଯୋଗମାର୍ଗ ଶିକ୍ଷା ଦେଇଛି । ଯଦୁନାଥ ହେଉଛନ୍ତି ବଡ଼ ଋଷି । ଗୋଟିଏ ରାତିରେ ଷୋଳ ସହସ୍ର ଯୁବତୀ ଯୋଗ ଶିକ୍ଷା କଲୁ ।

 

ତାଙ୍କ ମନ ଏବେ ମଧୁ ନଗର (ମଧୁବନ)ର ନାଗରୀମାନଙ୍କ ସହିତ ମଜିଛି । ଯେମିତି କୋଇଲି କାଉ ବସାରେ ବଢ଼ି ପରେ ନିଜ ବସାକୁ ଚାଲିଯାଏ । ହେ ଉଦ୍ଧବ, ଆମେ ତାଙ୍କୁ ଝୁରି ହେଉଛୁ । ଶରତର ପୂର୍ଣ୍ଣଚନ୍ଦ୍ର ପରି ଶୋଭାବନ୍ତ କୃଷ୍ଣଙ୍କୁ କେଉଁଠି ଲୁଚାଇ ରଖିଛି ?

 

ହେ ଉଦ୍ଧବ, ସଂସାରରେ ନିର୍ମଳ ପ୍ରେମ ଯଦି ଅଛି, ତେବେ ରାଜା ଦଶରଥଙ୍କ ପ୍ରେମ ପ୍ରଶଂସା ଯୋଗ୍ୟ । ରାମଙ୍କୁ ସେ ଏକାନ୍ତ ଭାବେ ଭଲ ପାଉଥିଲେ । ପୁତ୍ର ଚକ୍ଷୁରୁ ଅନ୍ତର ହେବା ମାତ୍ରେ ରାଜାଙ୍କର ଶରୀରରୁ ପ୍ରାଣ ଛାଡ଼ିଗଲା । ହେ ଉଦ୍ଧବ, ଆମେ ନିର୍ଲଜ୍ଜଭାବେ ଜିଇଁଛୁ । ଆମେ ଶୁଣିଲୁଁ, ତୁମେ କାଳେ ଆମକୁ କହୁଛ, ନନ୍ଦସୁତକ । ଛାଡ଼ି ନିରାକାରଙ୍କୁ ପ୍ରାର୍ଥନା କରିବାକୁ ।

 

ଟାଣି ଚେଳାଞ୍ଚଳେ ଉରଜ ଅଞ୍ଚଳେ ଆଣି କୃଷ୍ଣଙ୍କୁ ବସାଉଁ

ଟହ ଟହ ବିମ୍ବ ଅଧରେ ଅଧର ମିଶାଇ ଚୁମ୍ବନ ଦେଉ

ଉଦ୍ଧବ ହେ !

ଟଙ୍କଧର ନୋହୁ ଆମ୍ଭେ

ଟେକ ହୃଦୟ କମଳ ଛଡ଼ଚକ୍ର ଭେଦ କହୁଅଛ ତୁମ୍ଭେ ।୧୧।

 

ଠାବେ ନ କଲ ଏତେକେ ହେ ଉଦ୍ଧବ ! ସଖାଭାବେ ସଙ୍ଗେ ଥାଇ

ଠିକେ ଭଗତର ଭାବ ଗୋଇଠା ସେ ହୃଦ ପଦ୍ମେ ଛନ୍ତି ବହି

ଉଦ୍ଧବ ହେ !

ଠୂଳ ବ୍ରହ୍ମ ତେବେ ଜାଣି

ଠାଠିକ ଭକତ ପାଦ ପଦ୍ମ ଚିହ୍ନ ହୃଦୟ ଦେଶରେ ଆଣି ।୧୨।

 

ଡାକି କହୁଅଛୁଁ ଜଗତେ ବିଦିତ ଲୁଚା ଚୋରା କଥା ନୋହି

ଡୋଳେ ଦେଖିଅଛୁଁ ବ୍ରହ୍ମାଦି ଇନ୍ଦ୍ରାଦି ଗୋପୁଁ ଗଲେ ଜ୍ଞାନ ପାଇ

ଉଦ୍ଧବ ହେ !

ଡାକି ମୁରଲୀରେ ହରି

ଡରାଇ ଆମ୍ଭଙ୍କୁ କହି ଧର୍ମ କଥା ନ ପାରିଲେ ଆନ କରି ।୧୩।

 

ଢାଳି ରବି ଶଶୀ ମଣ୍ଡଳ ମଧ୍ୟରେ ହୁତାଶନ ହେମାସନ

ଢାଙ୍କି ମନ ଚକ୍ଷୁ ପବନ ନିରୋଧି କହିଲ ଯେ କୃଷ୍ଣ ଧ୍ୟାନ

ଉଦ୍ଧବ ହେ !

ଢମ ନୋହେ କଥା ସେହି

ଢଳ ହଳ କଳା ଫଣୀ ଯା ନିକଟେ ସେକି ପାରେ ଆନେ ଚାହିଁ ।୧୪।

 

ଅନେକ ତପ ଜପ ତୀର୍ଥ ବ୍ରତରେ ନ ପାରନ୍ତି ମୁନି ଧରି

ଅନୁମାନ ଅନୁଭବ ହିଁ କଲୁନି ଅନୁରାଗବଶ ହରି

ଉଦ୍ଧବ ହେ !

ଅତି ପ୍ରେମ ହେମ ରଙ୍କ

ଆଶା ପୂର୍ଣ୍ଣ କଲେ ଗାଈ ଗୋପୀଙ୍କର ହୋଇ ସେ ବଛା ବାଳକ ।୧୫।

 

ଭାବାର୍ଥ- (୧୧-୧୫) ହେ ଉଦ୍ଧବ, ଆମେ ବ୍ରଜନାରୀମାନେ ଲୁଗାର ଅଞ୍ଚଳ ଟାଣି ବକ୍ଷୋଜ ଅଞ୍ଚଳରେ (କୋଳରେ) ଆଣି କୃଷ୍ଣଙ୍କୁ ବସାଉଁ । ତାଙ୍କ ଟହଟହ ବିମ୍ବ ଅଧରରେ ଆମ ଅଧରକୁ ମିଶାଇ ଚୁମ୍ବନ ଦେଉ । ଆମେ ଟଙ୍କଧର (ଶିବ) ନୋହୁଁ । ହୃଦୟ ପଦ୍ମକୁ ଟେକି ଛଡ଼ଚକ୍ର (ଷଡ଼ଚକ୍ର) ଭେଦ କରିବାକୁ ଆମକୁ କହୁଛ ।

 

ହେ ଉଦ୍ଧବ, କୃଷ୍ଣ ତୁମର ସଖା । ସଖାଭାବେ ଥାଇ ତାଙ୍କୁ ଠାବ କରିପାରୁ ନାହିଁ । ଭକ୍ତରଭାବ ଗୋଇଠାକୁ ସେ ହୃଦ ପଦ୍ମରେ ବହନ କରିଛନ୍ତି । ବ୍ରହ୍ମକୁ ଜାଣିପାରି ସେ ଭକ୍ତର ପାଦପଦ୍ମ ଚିହ୍ନକୁ ହୃଦୟ ଦେଶରେ ସାଇତି ରଖିଛନ୍ତି ।

 

ଆମେ ଡାକି କରି କହୁଛୁ ଜଗତରେ ଏହା ବିଦିତ, ଲୁଚାଚୋରା କଥା ଏଥିରେ ନାହିଁ । ନିଜ ଚକ୍ଷୁରେ ଦେଖିଛୁ ବ୍ରହ୍ମା, ଇନ୍ଦ୍ର ପ୍ରଭୃତି ଗୋପପୁରରୁ ଜ୍ଞାନ ପାଇ ଯାଇଛନ୍ତି । ହେ ଉଦ୍ଧବ, ମୁରଲୀରେ ଡାକି ଆମ୍ଭଙ୍କୁ ଡରାଇ ଧର୍ମ କଥା କହୁଛି, ଅନ୍ୟ କଥା କରି ପାରୁନାହିଁ ।

 

ସୂର୍ଯ୍ୟ କିରଣରେ, ଚନ୍ଦ୍ର ମଣ୍ଡଳ ମଧ୍ୟରେ, ହୁତାଶନରେ ବସି, ମନଚକ୍ଷୁକୁ ଢାଙ୍କି ପବନକୁ ରୁଦ୍ଧି କୃଷ୍ଣଙ୍କୁ ଧ୍ୟାନ କରିବାକୁ ପୁଣି ଆମକୁ କହୁଛି । ଏହି କଥା ଅସାର ନୁହଁ । ଢଳ ହଳ କଳା ସର୍ପ ଯାହା ନିକଟରେ ଅଛି, ସିଏ କ’ଣ ଅନ୍ୟକୁ ଚାହିଁ ପାରିବ ?

 

ଅନେକ ତପ, ଜପ, ତୀର୍ଥ, ବ୍ରତ କରି ମୁନି ଋଷିମାନେ ତାଙ୍କୁ ପାଇ ପାରୁନାହାନ୍ତି । ଅନୁରାଗ ବଶରେ ଅନୁଭବ ହିଁ ତାଙ୍କୁ କରିହେବ । ହେ ଉଦ୍ଧବ, ବତ୍ସା ଚରାଳି ହୋଇ ଗାଈ ଓ ଗୋପୀମାନଙ୍କର ଆଶାକୁ ସେ ପୂର୍ଣ୍ଣ କରିଛନ୍ତି ।

 

ତାଙ୍କ ତୁଲେ ଆସ୍ତେ ମାନତୀ ହେଲେ ଗୁଞ୍ଜା ଫଳ ପ୍ରାୟେ ଦିଶୁ

ତନୁଯାକ ଦିବ୍ୟ ଅନୁରାଗ ପୂରି ମୁଖରେ ତମ ପ୍ରକାଶୁଁ

ଉଦ୍ଧବ ହେ !

ତୁଟି ଦେଉଥାଉଁ କାଳି

ତିରଣ ଧରି ଚରଣ ତଳେ ପଡ଼ି ଚାଟୁ କହେ ବନମାଳୀ ।୧୬।

 

 

ଥୋକାଏ ଲାଜ ଫେଡ଼ି ଏଣୁ କହିଲୁଁ ମୁଁ ତେଣୁ ତାଙ୍କ ବିଶ୍ୱାସ

ଥିଲୁ କୁଞ୍ଜରେ ଆଲୋକିତ ରସରେ ଦୁଇତନୁ ଦିଗବାସେ

ଉଦ୍ଧବ ହେ !

ଥୋଇଲେ ଅନେକ ଚିହ୍ନ

ଥୟେ ନ ପାଉଁ ମଦନ ଜଳଧିରେ ପଡ଼ିଲେ ତହିଁ ନୟନ ।୧୭।

 

ଦେହ ଦେଖିବା ପାଇଁ ବସ୍ତ୍ର ହରଣ ବିଚାର କଲେ ମାଧୋଇ

ଦଇନି କଲୁଁ, ବୋଲେ ଆସ କୂଳକୁ ଦୁଇ କର ଶିରେ ଦେଇ

ଉଦ୍ଧବ ହେ !

ଦିଗମ୍ବର ପ୍ରାୟେ ହେଲୁଁ

ଦେଖିଲୁଁ ଲାଜ ମରଣହୁଁ ବଳିଲା ମୁଦ୍ରିତ ଲୋଚନେ ଗଲୁଁ ।୧୮।

 

ଦୂରୁଁ ଦେଖି ବୋଲେ ମିଶିଛି ବସନ ଚିହ୍ନି ନିଅ ଯେ ଯାହାର

ଧରଣୀ ଦ୍ୱିଭାଗ ହେବ ପଶିଯିବୁଁ ଏମନ୍ତ ହେଲା ଶରୀର

ଉଦ୍ଧବ ହେ !

ଯାଇଁ ସମସ୍ତେ ମିଳିଲୁଁ

ଧରାଧରି କରି ପିନ୍ଧିବା ବସନ ଯେ ଯାହାର ଚିହ୍ନି ନେଲୁଁ ।୧୯।

 

 

ନିଶ୍ଚେ ଜାଣିଲୁଁ ପୁରୁଷ ଦୃତ ବୋଲି ମରମ ବାରତା ନାହିଁ

ନିଜ ନିଜର ତାଙ୍କ ଆମ୍ଭ ବିଚାର ତୁମ୍ଭଙ୍କୁ କହିବେ କାହିଁ

ଉଦ୍ଧବ ହେ !

ନିଜ ଲୋକ ତୁମ୍ଭେ ତା’ର

ନନ୍ଦସୁତ ସଙ୍ଗେ ପୀରତି ଆମ୍ବର ଦେବଙ୍କୁ ହିଁ ଆଗୋଚର ।୨୦।

 

ପ୍ରେମ ପରଶ ନ ପାଇଥିବା ଯାକେ କାଞ୍ଚନେ ଥାଇ ମୁହାଁସ

ପ୍ରବେଶ ଖୁଡ଼ୂତା ନୋହିଥିବା ଯାକେ ମାତୁଳମାନେ ସର୍ବସ୍ୱ

ଉଦ୍ଧବ ହେ !

ପିତା ପୁରେ କନ୍ୟାଗଣ

ପତି ସୁରତି ନ ପାଇଥିବାଯାକେ ପିତୁଳୀ ଧୂଳିରେ ମନ ।୨୧।

 

ଭାବାର୍ଥ- (୧୬-୨୧) ବ୍ରଜନାରୀଗଣ ପୁଣି କହିଲେ- ହେ ଉଦ୍ଧବ, କୃଷ୍ଣଙ୍କ । ସହିତ ଆମ୍ଭମାନଙ୍କ ମାନତୀ (ତୁଳନା) ହେଲେ ଆମେ ଗୁଞ୍ଜା (କାଇଁଚ) ଫଳ ପରି ଦେଖାଯିବ । ଶରୀରଯାକ ତାଙ୍କର ଦିବ୍ୟ ଅନୁରାଗରେ ପୂରି ଉଠିଛି ।

 

ତାଙ୍କ ଉପରକୁ କାଳି ଆମେ ପକାଉଁ ତ ମୁଖରେ ତମ ପ୍ରକାଶ କରୁଛି । ତିରଣ ଧରି ପାଦ ତଳେ ପଡ଼ି ବନମାଳୀ ଚାଟୂ କରିଥାନ୍ତି ।

 

ହେ ଉଦ୍ଧବ, ଯେହେତୁ ତୁମେ ତାଙ୍କର ଅତି ବିଶ୍ୱାସୀ, ତେଣୁ କିଛି ଲାଜ ଛାଡ଼ି, କହିଲୁ । ଆମେ କୁଞ୍ଜରେ ଥିଲୁ । ଶୃଙ୍ଗାର ରସରେ ଦୁଇତନୁ ଉଲଗ୍ନ ହୋଇ ପଡ଼ିଥାଏ । ତୁମେ କହିବ, ଅନେକ ଚିହ୍ନ ସେମାନେ ଥୋଇଲେ । ଥୟ ନ ପାଇବାରୁ ଦୁଇ ଚକ୍ଷୁ । କନ୍ଦର୍ପ ସମୁଦ୍ରରେ ପଡ଼ିଲେ ।

 

ଦେହ ଦେଖିବା ପାଇଁ ମାଧୋଇ ବସ୍ତ୍ର ହରଣ କରିବାକୁ ଚିନ୍ତା କଲେ । ବହୁତ ବିନତି କଲୁ । ସେ କହିଲେ, ମୁଣ୍ଡକୁ ଦୁଇ ହାତରେ ଧରି କୂଳକୁ ଆସ । ହେ ଉଦ୍ଧବ, ଆମେ ଦିଗମ୍ବର ପ୍ରାୟ ହେଲୁ । ଦେଖିଲୁ, ଲାଜ ମରଣଠୁଁ ବଳିଗଲା । ଆଖି ବନ୍ଦ କରି ଫେରିଆସିଲୁ ।

 

ସେ କହିଲେ, ସଭିଙ୍କ ବସନ ମିଶାମିଶି ହୋଇ ଯାଇଛି । ଯିଏ ଯାହାର ଚିହ୍ନି କରି ନିଅ । ଏହା ଶୁଣି ଆମ ଦେହ ଏମିତି ଲାଗିଲା ଯେ, ଭାବିଲୁ, ପୃଥିବୀ ଦି ଭାଗ ହୋଇଯାଆନ୍ତା କି ଆମେ ସେଥିରେ ପଶିଯାଆନ୍ତୁ । ହେ ଉଦ୍ଧବ, ଆମେ ପରେ ସେଠାରେ । ଯାଇ ମିଳିଲୁ, ଆମେ ନିଜ ନିଜର ପିନ୍ଧା ବସ୍ତ୍ର ଚିହ୍ନି ନେଲୁ ।

 

ନିଶ୍ଚିତଭାବେ ଆମେ ଜାଣିଲୁ ଯେ, ପୁରୁଷ ଦୂତ । ମରମ ବାର୍ତ୍ତା ନାହିଁ । ତାଙ୍କର ଓ ଆମ ବିଚାର ସେ ତୁମ୍ଭଙ୍କୁ କାହିଁକି କହିବେ ? ହେ ଉଦ୍ଧବ, ତୁମେ ତାଙ୍କର ଅତି ଆପଣାର । କୃଷ୍ଣଙ୍କ ସଙ୍ଗେ ଆମର ପ୍ରୀତିଭାବ ଦେବତାଙ୍କୁ ହିଁ ଅଗୋଚର ।

 

ପ୍ରେମର ସ୍ପର୍ଶ ନ ପାଇବା ଯାଏଁ କାଞ୍ଚନ ବା ସୁନାରେ ଇଚ୍ଛା ଥାଏ । ଖୁଡ଼ୁତା ପ୍ରବେଶ ନ ହେବା ଯାଏଁ ମାମୁମାନେ ହିଁ ସର୍ବସ୍ୱ ଥା’ନ୍ତି । ହେ ଉଦ୍ଧବ, ପିତାଙ୍କ ଘରେ । କନ୍ୟାମାନେ ପତିଙ୍କ ସୁରତି ନ ପାଇ ପିତୁଳି ଧୂଳିରେ ମନ ଲଗାଇଥିବେ ।

 

ଫଳଭ୍ରମେ ଫୁଲ ଖାଉଥିବା ଯାକେ ନାନାଦି ଜ୍ଞାନ କଥନ

ଫୁଙ୍କା ଶବଦ ଶୁଭିଲା ଶଙ୍ଖ ପ୍ରାୟ କର୍ମ ଚିହ୍ନ ପ୍ରେମ ଶୂନ୍ୟ

ଉଦ୍ଧବ ହେ !

ଫେଡ଼ି କହୁଛୁ କହିବ

ଫୁଲବନେ କାନ୍ଧେ ଯାହାକୁ ନେଲେ ସେ କହିଛି ବାରେ ଆସିବ ।୨୨।

 

ବଡ଼ କଥା କଲ ଅଇଲ ଉଦ୍ଧବ କହିଲ କୃଷ୍ଣ ସନ୍ଦେଶ

ବାରତା ପାଇଲୁଁ ତୁମ୍ଭକୁ ଦେଖିଲୁଁ ଏ ଆମ୍ଭ ଲାଭ ବିଶେଷ

ଉଦ୍ଧବ ହେ !

ବୋଲିବ ଏବେ ମାତର

ବିନୟ ହୋଇ ଗୋପୀଏ ମାଗିଛନ୍ତି ପ୍ରେମ- ପାସୋରା ମନ୍ତର ।୨୩।

 

ଭାବେ ଗଦ ଗଦ ବିହ୍ୱଳ ବଚନ ନୟନ ଜଳ ଜଳକା

ଜଗତି ଭାବରେ କଣ୍ଠ ତା କଣ୍ଠିତ ପୁଲକେ ରୋମ ମାଳିକା

ଉଦ୍ଧବ ହେ !

ଭାବେ ଗୋପୀ ପ୍ରଶଂସିଲେ

ଭଲ କରି ରତ୍ନମାଳ ଏ ବାଛିଣ ଉଦ୍ଧବେ ମେଲାଣି ଦେଲେ ।୨୪।

ମଣ୍ଡାଇ ରଥ ସଜ କରି ଉଦ୍ଧବ ନନ୍ଦ ଦୁଆରେ ମିଳିଲା

ମହାପ୍ରଭୁଙ୍କୁ ମୁଁ କି ବୋଲି ବୋଲିବି ଯଶୋଦାଙ୍କୁ ଜଣାଇଲା

ଉଦ୍ଧବ ହେ !

ପିତା ପୁତ୍ର ସ୍ନେହ ବହି

ମହାପ୍ରଭୁ ବୋଲି ବୋଲୁ ଯେ ତୁଣ୍ଡରେ ବୟସରେ ବଡ଼ ତୁହି ।୨୫।

 

ଜନମ କାଳରୁ ଅନେକ ପ୍ରମାଦୁ ରଖିଲେ ତାଙ୍କୁ ଅମ୍ବିକା

ଯହିଁ ଥିଲେ ତହିଁ ସାତ ପାଞ୍ଚ ନାହିଁ ରଙ୍କୁଣୀ ଧନ ମୋ ଏକା

ଉଦ୍ଧବ ହେ !

ଯାଇ ତୁ ନ ପାସୋରିବୁ

ଯଶୋଦା-ଅନ୍ଧୁଣୀ ଯଷ୍ଠିର କୁଶଳ ବାରତାହିଁ ଦେଉଥିବୁ ।୨୬।

 

ରତନ ବସନ ଅଳଙ୍କାରମାନ ଉଦ୍ଧବେ ମେଲାଣି ଦେଲେ

ରଥ ପଛେ ପଛେ ସୁଦାମ ସୁବଳ ଗୋପାଳେ ପାଛୋଟି ଗଲେ

ଉଦ୍ଧବ ଯେ !

ରାଜଦାଣ୍ଡରେ ରହିଲେ

ରଥୁ ଓହ୍ଲାଇଣ ସ୍ନାହାନ ସାରିଣ ଉଠି ଶିରେ କର ଦେଲେ ।୨୭।

 

 

ଭାବାର୍ଥ- (୨୨-୨୭) ଫଳଭ୍ରମରେ ଫୁଲ ଖାଉଥିବା ଯାଏଁ ନାନା ପ୍ରକାର ଜ୍ଞାନ କଥା ମନକୁ ଆସିବ । ଶଙ୍ଖ ବାଜିବା ପ୍ରାୟ ଫୁଙ୍କା ଶବ୍ଦ ଶୁଭିଲା । କର୍ମ ଚିହ୍ନ, ପ୍ରେମ ଶୂନ୍ୟ ଜଣାଗଲା । ହେ ଉଦ୍ଧବ, ଫେଡ଼ି କହୁଛୁ ବୋଲି କହିବ, ଫୁଲ ବନରେ କାନ୍ଦରେ ଯାହାକୁ ନେଲେ ସେ ପୁଣି ଆସିବି ବୋଲି କହିଛି ।

 

ହେ ଉଦ୍ଧବ, ବଡ଼ କଥାଟିଏ କହିଲ । କୃଷ୍ଣଙ୍କ ସନ୍ଦେଶ ଜଣାଇଲ । ବାର୍ତ୍ତା ପାଇଲୁ, ତୁମ୍ଭଙ୍କୁ ଦେଖିଲୁ, ଇଏ ଆମ ପାଇଁ ବିଶେଷ ଲାଭଦାୟକ ହେଲା । କହିବ, ଏତିକି ମାତ୍ର ? ବିନୟ ହୋଇ ଗୋପୀମାନେ ପ୍ରେମ ପାସୋରା ମନ୍ତ୍ର ମାଗିଛନ୍ତି ।

 

ଭାବରେ ଗଦଗଦ, ବିହ୍ୱଳ ବଚନ, ଚକ୍ଷୁ ଜଳଜଳକା ହୋଇଗଲା । ଭକ୍ତି ଭାବରେ ଉଦ୍ଧବଙ୍କ କଣ୍ଠ ଥରିଲା । ଲୋମ ସବୁ ପୁଲକିତ ହୋଇ ଉଠିଲା । ଭାବରେ ଗୋପୀମାନେ । ଉଦ୍ଧବଙ୍କୁ ପ୍ରଶଂସା କଲେ । ତାଙ୍କୁ ସେମାନେ ଭଲ ରତ୍ନମାଳିଟିଏ ମେଲାଣି ଦେଲେ ।

 

ରଥକୁ ସଜ କରି ଉଦ୍ଧବ ନନ୍ଦ ରାଜାଙ୍କ ଦୁଆରରେ ମିଳିଲେ । ଯଶୋଦାଙ୍କୁ ପଚାରିଲେ, ମହାପ୍ରଭୁଙ୍କୁ ମୁଁ କ’ଣ କହିବି ? ଯଶୋଦା କହିଲେ- ପିତା-ପୁତ୍ର ମରେ ସ୍ନେହ ରହିଛି ଯାହା । ମହାପ୍ରଭୁ ବୋଲି ଯାହା କହିଲ, ତାହା ଠିକ୍ ନୁହେଁ, କାରଣ ତୁମେ ତା’ଠାରୁ ବୟସରେ ବଡ଼ ।

 

ଜନ୍ମ କାଳରୁ ଅନେକ ପ୍ରମାଦ ମୋ ପୁତ୍ରକୁ ପଡ଼ିଛି । ମା’ ଅମ୍ବିକା ତାକୁ ରକ୍ଷା କଲେ । ଯେଉଁଠାରେ ପାଞ୍ଚସାତ ଜଣ ଥିଲେ ହେଁ ମୋ ରଙ୍କୁଣୀ ଧନ ଏକା ଥାଏ । ହେ ଉଦ୍ଧବ, ସେଠାକୁ ଯାଇ ପାସୋରି ଦେବ ନାହିଁ । ଯଶୋଦା ଅନ୍ଧୁଣୀ ବାଡ଼ିର କୁଶଳ ବାରତା ଦେଉଥିବ ।

 

ରତ୍ନ, ବସ୍ତ୍ର, ଅଳଙ୍କାରମାନ ଉଦ୍ଧବଙ୍କୁ ମେଲାଣି ଦେଲେ । ଉଦ୍ଧବଙ୍କ ରଥର ପଛେ ପଛେ ସୁଦାମ, ସୁବଳ ଓ ଗୋପାଳମାନେ ପାଛୋଟି ଗଲେ । ଉଦ୍ଧବ ରାଜ ଦାଣ୍ଡରେ ରହିଲେ । ରଥରୁ ଓହ୍ଲାଇ ସ୍ନାନ ସାରିଲେ ଓ ଉଠି ମୁଣ୍ଡରେ ହାତ ଦେଲେ ।

 

ଲାଗିଲା ରଥ ସିଂହଦ୍ୱାରେ ଉଦ୍ଧବ କୃଷ୍ଣଙ୍କୁ ଦର୍ଶନ କଲେ

ଲମ୍ବ ହୋଇ ପଦ୍ମ ଚରଣେ ପଡ଼ିଣ ଉଠି ଶିରେ କର ଦେଲେ

ଉଦ୍ଧବ ଯେ

ଲଜ୍ଜା ପାଇ ପ୍ରଭୁ ଗଲେ

ଲକ୍ଷ୍ମୀପତି ପୁଣ ପୁଣ ପଚାରନ୍ତି ନୟନୁ ଅଶ୍ରୁ ସଞ୍ଚରେ ।୨୮।

 

ବ୍ରଜେ ବଧୂଭାବ ସୁମରି ଉଦ୍ଧବ ଆନନ୍ଦ ଲୋଚନ କଲା

ବେଳକୁ ବେଳ ବିଭଳିତ ବଚନ କଣ୍ଠ ତା କୁଣ୍ଠିତ ହେଲା

ଉଦ୍ଧବ ଯେ

ବିହ୍ୱଳ ଦଶାକୁ ଭଜି

ବହି ଝର ଝର ନୟନୁ ଲୋତକ କାନ୍ଦେ ଲାଜ ଭୟ ତେଜି ।୨୯।

 

 

ଶ୍ରୀକୃଷ୍ଣ ଶୋକସିନ୍ଧୁ ମଧେ ବୁଡ଼ିଲେ ଉଦ୍ଧବ ଦଶାକୁ ଦେଖି

ସ୍ନେହ ସୁମରି ବୋଇଲେ ବୃନ୍ଦାବନେ ବୃନ୍ଦାବତୀ ପ୍ରିୟସଖୀ

ଉଦ୍ଧବ ଯେ

ଶ୍ରୀକୃଷ୍ଣ ଧ୍ୟାନେ ଜାଣିଲେ

ସଜଳ ଲୋଚନ ସକମ୍ପ ଅଧର ଉଦ୍ଧବେ ଧରି କାନ୍ଦିଲେ ।୩୦।

 

ସଚେତ ହୋଇଣ କହଇ ଉଦ୍ଧବ ସନ୍ଦେଶ ଗୋପପୁରର

ସବୁ ଗୋପୀଏ ମାଗିଛନ୍ତି ଗୋସାଇଁ ପ୍ରେମ ପାସୋରା ମନ୍ତର

ମହାପ୍ରଭୁ !

ସଦା ଭକ୍ତିଭାବ ଗୁଣି

ସମ ନୋହନ୍ତି ସେ ବିଚାରେ ଗୋପୀକା ଗୋଟିକ କୋଟିଏ ମୁନି ।୩୧।

 

ଭାବାର୍ଥ- (୨୮-୩୧) ରଥ ଯାଇ ସିଂହଦ୍ଵାରରେ ଲାଗିଲା । ଉଦ୍ଧବ କୃଷ୍ଣଙ୍କୁ ଦର୍ଶନ କଲେ । ଲମ୍ବ ହୋଇ ତାଙ୍କ ପାଦ ତଳେ ପଡ଼ିଲେ ଓ ଉଠି ଶିରରେ କର ଦେଲେ । ପ୍ରଭୁ ଲଜ୍ଜା ପାଇଲେ । ବାରମ୍ବାର ସେ ଉଦ୍ଧବଙ୍କୁ ପିତାମାତାଙ୍କ କଥା ପଚାରିଲେ । ଚକ୍ଷୁରୁ ଅଶ୍ରୁ ଝରୁଥାଏ ।

 

ବ୍ରଜପୁରରେ ବଧୂଭାବକୁ ସ୍ମରଣ କରି ଉଦ୍ଧବ ଆନନ୍ଦରେ କୃଷ୍ଣଙ୍କୁ ଦେଖି ବେଳକୁ ବେଳ ବିହ୍ୱଳିତ ହେଲେ । କଣ୍ଡ ତାଙ୍କର ଥରି ଉଠିଲା । ଉଦ୍ଧବ ବିହ୍ୱଳ ଦଶା ଭୋଗିବାରୁ ଚକ୍ଷୁରୁ ଝର ଝର ହୋଇ ଲୁହ ବହି ପଡ଼ିଲା । ଲାଜ, ଭୟ ଛାଡ଼ି ସେ କାନ୍ଦିଲେ ।

ଉଦ୍ଧବଙ୍କ ଏହିଭଳି ଦଶାକୁ ଦେଖି ଶ୍ରୀକୃଷ୍ଣ ଶୋକ ସାଗରରେ ବୁଡ଼ିଗଲେ । ବୃନ୍ଦାବନରେ ବୃନ୍ଦାବତୀ ପ୍ରିୟସଖୀଙ୍କ ସ୍ନେହକୁ ସୁମରଣା କଲେ । ସମସ୍ତ ଘଟଣା ସେ ଧାନରେ ଜାଣିଲେ । ଆଖୁ ଲୁହ ଛଳଛଳ ହେଲା, ଅଧର କମ୍ପମାନ ହେଲା । ଉଦ୍ଧବଙ୍କୁ ଧରି ସେ କାନ୍ଦିଲେ ।

 

ସଚେତ ହୋଇ ଉଦ୍ଧବ ଗୋପପୁରର ସନ୍ଦେଶ କୃଷ୍ଣଙ୍କୁ କହିଲେ । ସବୁ ଗୋପୀ ତୁମର ପ୍ରେମ ପାସୋରା ମନ୍ତ୍ର ମାଗିଛନ୍ତି । ହେ ମହାପ୍ରଭୁ, ସର୍ବଦା ସେମାନେ ଭକ୍ତି ଭାବରେ ବନ୍ଧା । ସେ ବିଚାର କଲେ, କୋଟିଏ ମୁନି ଗୋଟିଏ ଗୋପୀକା ସହିତ ସମାନ ହେବେ ନାହିଁ ।

 

ଶଙ୍ଖାରୀ ଭଣ୍ଡାରୀ ରଜକ ତାମ୍ବୁଳୀ ମାଳୀ ଗୋପୁଁ ଛାଡ଼ିଗଲେ

ସୁବର୍ଣ୍ଣ ରତନ ବିନ୍ଧାଣୀ କାପେଡ଼ୀ ବାନ୍ଧି ବୁଣା ପଳାଇଲେ

ମହାପ୍ରଭୁ !

ସନ୍ଧ୍ୟାବେଳେ ଗୋପପୁରେ

ଶିବ ଶିବ ବାଣୀ ଉଚ୍ଚସ୍ୱରେ ଶୁଣି ସବୁ ଗୋପୀଙ୍କର ଘରେ ।୩୨।

 

ହା ହା କୃଷ୍ଣ ବୋଲି ଗଳା ଧରିଧରି କାନ୍ଦି ଏକକୁ ଆରେକ

ହଜାଇ ଜ୍ଞାନ ଶୋକସିନ୍ଧୁ ମଧ୍ୟରେ ବୁଡ଼ାଇ ତହିଁ ବିବେକ

ମହାପ୍ରଭୁ !

ହତ୍ୟା ହେବ ସିନା ମଲେ

ହୀରାରୁ କଠିନ ହୃଦୟେ ତୁମ୍ଭର ବୋଲିବା ବାରେ ନିଗଲେ ।୩୩।

କ୍ଷମାନିଧି କହେ ଶୁଣ ହେ ଉଦ୍ଧବ ! ନିରତେ ଅଛୁଁ ଗୋପରେ

ଛାଡ଼ି ନିଦ୍ରାଭାବ ସ୍ୱପନେ ଯେସନ ମନ ବେଳ ସର୍ବପୁରେ

ଉଦ୍ଧବ ଯେ

କ୍ଷଣେ ଗୋପୀ ଲୀଳା ଶୁଣି

ଛାର ପ୍ରାୟ ମୋତେ ବେଦ ଶ୍ରୁତି ପ୍ରତେ କବି ଭୂପତି ଯେ ଭଣି ।୩୪।

 

ଭାବାର୍ଥ- (୩୨-୩୪) ଶଙ୍ଖାରୀ, ଭଣ୍ଡାରୀ, ରଜକ, ମାଳୀ ପ୍ରଭୃତି ଗୋପପୁରରୁ ଛାଡ଼ି ଚାଲିଗଲେ । କୃଷ୍ଣ ଯେଉଁଠି ନାହାନ୍ତି ସେଇଠି କି ଜୀବନ ? ସୁବର୍ଣ୍ଣ, ରତ୍ନ ବିନ୍ଧାଣୀମାନେ ନିଜ ନିଜର କର୍ମ ଛାଡ଼ି ଚାଲିଗଲେ । ହେ ମହାପ୍ରଭୁ, ସନ୍ଧ୍ୟାବେଳେ ଗୋପପୁରରେ ସବୁ ଗୋପୀଙ୍କର ଘରେ ଶିବ ଶିବ ବାଣୀ ଉଚ୍ଚ ସ୍ୱରରେ ଶୁଭୁଛି ।

 

ଗୋପୀମାନେ ପରସ୍ପର ମଧ୍ୟରେ କୋଳା କୋଳି ହୋଇ, ଏକ ଆରେକର ଗଳା ଧରି ହା କୃଷ୍ଣ, ହା କୃଷ୍ଣ ବୋଲି କାନ୍ଦୁଛନ୍ତି । ସେମାନଙ୍କର ଜ୍ଞାନ ହଜି ଯାଉଛି, ଶୋକ ସାଗର ମଧ୍ୟରେ ବୁଡ଼ିଯାଇ ନିଜର ବିବେକ ହଜାଇ ଦେଇଛନ୍ତି ।

 

ହେ ମହାପ୍ରଭୁ ! ମଲେ ସିନା ହତ୍ୟା ଦୋଷ ଲାଗିବ । ତୁମେ ସେଠାକୁ ନ ଗଲେ ସମସ୍ତେ ତୁମର ହୃଦୟ ହୀରାଠାରୁ ଅଧିକ କଠିନ ବୋଲି ଭାବିବେ ।

 

 

ଉଦ୍ଧବଙ୍କ ଠାରୁ ସମସ୍ତ କଥା ଶୁଣି କ୍ଷମାନିଧି କୃଷ୍ଣ କହିଲେ, ହେ ଉଦ୍ଧବ, ଶୁଣ ! ଆମେ ନିରନ୍ତରଭାବେ ଗୋପରେ ରହିଛୁ । ସବୁପୁରରେ ମୁଁ ବିଦ୍ୟମାନ । ନିଦ୍ରାଭାବ ଛାଡ଼ି ସ୍ୱପ୍ନରେ ଯେମିତି ମନ ସର୍ବପୁରରେ ବିଚରଣ କରିଥାଏ, ମୁଁ ସେମିତି ମଣିଷର ମନ, ହୃଦୟ, ସ୍ଵପ୍ନରେ ଜାଗରଣରେ ରହିଥାଏ । ଗୋପୀଲୀଳା ଶ୍ରବଣରେ ମଣିଷର ଚେତନା ଜାଗ୍ରତ ହେବ । ବେଦର ପବିତ୍ରତା ମନକୁ ଆସିବ । କବି ଭୂପତ ଏହି ଗୀତକୁ ଭଣତି କଲେ ।