ଅଗ୍ନିଶଙ୍ଖ

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

-ଏକ-

ହୃଦୟ କବାଟ ଖୋଲି

ମଣିଷ ଯେଉଁଠି ହାୟ !

ମଣିଷକୁ ଦିଏ ନାଇଁ

ସେନେହ ସମ୍ଭାର,

 

ମଣିଷ ଉପରେ ଯହିଁ

ମଣିଷ କରଇ ନିତି

ଘୋର ଅତ୍ୟାଚାର,

ଯେଉଁଠାରେ ମଣିଷକୁ

 

ଏ ମଣିଷ ଘୃଣାକରେ

ଅବଜ୍ଞାର ଦୃଷ୍ଟ ଢ଼ାଳି

ଚାହେଁ ବାର ବାର,

ସେ ମାଟିକି ମଣିଷର ମାଟି !

 

ପୃଥିବୀକୁ ଗ୍ରାସିବାକୁ

ଲେଲୀହାନ ଜିହ୍ୱାମେଲି

ଯେଉଁଠି ମଣିଷ କରେ

ଶତ ଷଡ଼ଯନ୍ତ୍ର,

 

ହତ୍ୟାରେ ଆନନ୍ଦ ଯହିଁ

ଦେଖଇ ମଣିଷ

ଚାଳି ବୋମା

ବନ୍ଧୁକ କମାଣ,

ମଣିଷ ଯେଉଁଠି ଚାଲେ

 

ଆଟୋପ ସମ୍ଭାରେ,

ଆତଙ୍କର ଛାୟା ଯହିଁ

ଘେରି ରହିଥାଏ ଚାରିଆଡ଼େ

ସେ ମାଟିକି ମଣିଷର ମାଟି ?

 

ଜଣେ ଯହିଁ ଖାଏ ବସି

ମନ ବୋଧ କରି,

ଅନ୍ୟ ଜଣେ ରହିଥାଏ ଚାହିଁ;

ତ୍ରିତଳ ସଉଧେ ଯହିଁ

 

ଜଣେ ରହେ ବିଦ୍ୟୁତ ଆଲୋକେ

ଆମୋଦ ପ୍ରମୋଦ ଆଉ

ସଙ୍ଗୀତର ରଙ୍ଗିନ୍ ଉତ୍ସବେ,

ଆନ ଜଣେ

 

କପାଳ ଆଦରି

ଭଙ୍ଗା କୁଡ଼ିଆରେ ତାର

ରହିଥାଏ

ଶୀତ ଖରା ବର୍ଷା ସହି

 

ବର୍ଷ ବର୍ଷ ଧରି,

କିପରି ରହିଚୁ ବୋଲି

ତାରେ କେହି ପଚାରେନି

ନିମିଷକ ପାଇଁ,

 

ବରଂ ତା’ର

ସମ୍ମୁଖେ ମଣିଷ

ବକ୍ଷ ଟେକି ଚାଲିଥାଏ

ଆପଣାର ଗୌରବ ଦେଖାଇ

ସେମାଟିକି ମଣିଷର ମାଟି !

 

ବେଦନା ଅଭାବ ଦୁଃଖ

ମଣିଷର ବୁକୁତଳେ

ଯେବେ ବହି ବହି ଯାଏ

ପ୍ରଳୟର ଝଡ଼ ପରି

 

ଦିନ ଦିନ ଧରି,

ତିକ୍ତ ଯେବେ ଲାଗେ ତା’ରେ

ମହା ବସୁନ୍ଧରୀ,

ପ୍ରାଣ ଖୋଲି

 

କାହାକୁ କହିବ ତା’ର

ଅନ୍ତର ଦଇନି ?

ଗୋଡଭାଙ୍ଗି ଠିଆହୁଏ

ଲବେ ଆଶା ଆଶ୍ରା ପାଇବାକୁ

 

କାହା ଦ୍ୱାରେ ଯାଇ,

ସେଠି ଯେବେ ଶୁଣେ ସେହୁ

କଟୁ ତିକ୍ତ ବାଣୀ,

ମହା ବସୁନ୍ଧରା ପରେ-

 

ଅଛି ତା’ର ଅନୁଭୂତି

ଅଛି ତା’ର ଜୀବନର ମାନ

ଅଛି ତା’ର ଦାବୀ ଅଧିକାର

ମଣିଷଠୁ ପାଇବାକୁ

 

ମଣିଷର ମଧୁବୋଳା-

ପୁଣ୍ୟ ବ୍ୟବହାର,

ତା’ରେ ଯଦି

ଧରଣୀ ଧୂଳିର

କ୍ଷୁଦ୍ର ପୋକ ମାଛି ପରି

 

ଦୂରେ ଦୂରେ

ଦିଅ ତୁମ୍ଭେ ତଡ଼ି,

ଯେ ମାଟି ଉପରେ ଚାଲେ

ଏଇ ଶତ ନିଦାରୁଣ ଲୀଳା

ସେ ମାଟିକି ମଣିଷର ମାଟି !

 

-ଦୁଇ-

ଏ ମାଟି ଉପରେ ତାର ହାଇରେ ଟିକିଏ ହେଲେ

ଆସନ ତ ନାଇଁ !

ସିଏ କଣ ଆସିନି ଏ ଧରଣୀର ଅମୃତ ସମ୍ପଦୁ

କଣିକାଏ ଭୁଞ୍ଜିବାର ପାଇଁ ?

 

ଯେତେ ଯେ ବସିଚ ଏଥି ଚାହିଁ ତାରେ ଚାହଁ !

ଓଠ ତାର ମଳିନ ବିଶୁଷ୍କ

ବୁକୁର ଯୌବନ କୀଟ ଦଂଷ୍ଟ ପୁଷ୍ପ ପରି-

ହତଶିରୀ ଦିଶେନିକି ହାୟ !

 

ଖାଇ ନାଇଁ ! ଖାଇ ନାଇଁ !

ପେଟ ତାର ଯାଇ ଅଛି ଲାଗି,

ପୃଥିବୀର ସମସ୍ତ ଅନ୍ତର

କରିଚି କି ସୀମାହୀନ ଅବହେଳା ତାରେ ?

କାହାକୁ ସେ ଓଠ ଫେଇ

କିଛି ହେଲେ ପାରୁନାଇଁ ମାଗି !!!

 

ହସିବ ସେ, ଖେଳିବ ସେ

ପ୍ରାଣର ଅମୃତ ଶୋହା ଢାଳିବ ସେ

ଏ ଧରଣୀ ପରେ,

ଆସିନି ଆସିନି ସିଏ

ଜୀବନ୍ତ ସମାଧି ଲଭି

ନିଭି ଯିବ ବୋଲି କେଉଁ-

 

ଅତଳ ସାଗରେ !!

ସମସ୍ତ ଅଭାବ ସବୁ ଉତ୍ପୀଡ଼ନ-

ତୁମେହିଁ ଦେଇଚ ତାରେ

ତାର ପ୍ରତି ମାଂସ ଖଣ୍ଡ ପ୍ରଳୟଗର୍ଜ୍ଜନ କରି-

କହେ ଯେହ୍ନେ ସେଇ କଥା ସୃଷ୍ଟି ଚାରିଆଡ଼େ ।

 

ମୁହିଁ ଚାହେ ଦେଖିବାକୁ

ଅଙ୍ଗେ ଅଙ୍ଗେ ତାର

ଲାବଣ୍ୟର ସୀମାହୀନ ଢ଼େଉ,

ଚାହେ ମୁହିଁ ଦେଖିବାକୁ

 

ତାର ରୁଦ୍ଧ ପ୍ରତିଭାର ବକଚ ବିକାଶ

ଚାହେ ମୁହିଁ ଦେଖିବାକୁ

ତାର ସେଇ ଅମୃତ ପ୍ରାଣର ଅମୃତ ପ୍ରକାଶ !

ମଣିଷ ଭିତରେ ବଞ୍ଚିଚି ଯେ ମଣିଷ ଟିକକ

 

ତାକୁ ଯେବେ ମୁହୂର୍ତ୍ତ ମୁହୂର୍ତ୍ତ ଧରି

ଦେବ ତୁମେ ଦଳି

ପୃଥିବୀର ରନ୍ଧ୍ରେ ରନ୍ଧ୍ରେ ଅମୃତର ବୀଣାତାନ

ଉଠିବ କି ମଧୁ ମନ୍ଦ୍ରେ ଝରି ? ?

 

-ତିନି-

ଯେଉଁଠାରେ ରହିଅଛି

ଅଗଣନ ଟଙ୍କା ଓ ପଇସା;

ଯେଉଁଠାରେ ନଭଶ୍ଚୁମ୍ବୀ କୋଠାବାଡ଼ି-

ରହିଅଛି, ସୀମାହୀନ ଅହଙ୍କାର ଧରି !

 

ଯେଉଁଠାରେ ଅସମ୍ଭବ ଡକାୟତି

ଦୀପ୍ତ ଦିବାଲୋକେ !!

ଯେଉଁଠାରେ ସୟତାନି, ଜାଲ, ଜୁଆଚୋରୀ

ପରଶିଚି ଚୁଡ଼ାନ୍ତ କଳ୍ପନା !

ଯେଉଁଠାରେ ଔଦ୍ଧତ୍ୟ ଓ ଅହମିକା-

 

ଆଜୀବନ ରହିଅଛି,

ଛାଡ଼ିବାକୁ ଚିରଦିନ କୁଣ୍ଠିତ କାତର-

ସିଏ ପୁଣି ସୌଭାଗ୍ୟର ଲୀଳାସ୍ଥଳୀ

ସିଏ ପୁଣି କାମ୍ୟ ଜଗତର !!!

 

ଯେଉଁଠାରେ ଜୀବନର-

ସୀମାହୀନ ଆପଦେ ବିପଦେ

ଦରିଦ୍ର କୁଟୀରୁ ଆସି

କିଏ କେତେ ଅଯାଚିତେ

 

ହୋଇଯାଏ ସାହା,

ନୟନୁ ବୋହିଲେ ଲୁହ

କାହାର ଅନ୍ତର

ସେ ଯେ କେଉଁ ପତ୍ର-କୁଡ଼ିଆରୁ

 

କହିଯାଏ ଆହା

ଯେଉଁଠାରେ ଦିନ ସାରା ଖଟି ଖଟି

ଆପଣାର ଘର୍ମ ଢ଼ାଳି

କିଏ କାହିଁ ପ୍ରାଣଭରି କରଇ କଲ୍ୟାଣ,

 

ଅଥଚ ସେ ସବୁବେଳେ

ଶାନ୍ତି ଓ ବିନୟୀ

ସହିଷ୍ଣୁତା ମୂର୍ତ୍ତିପରି ଦିଶେ ତା’ର ପ୍ରାଣ !

ଯେଉଁଠାରେ ଶତ ରୂପେ ହୋଇ ନାରଖାର

 

ଜୀବନର ଦୀପ ଜଳେ ସ୍ୱର୍ଣ୍ଣ ଶିଖା ଧରି

ସିଏ ପୁଣି ହତଭାଗ୍ୟ ମାଟି

ଆସିଚି ଜଗତ ତାରେ ଘୃଣା କରି

ପଥପ୍ରାନ୍ତେ ଦଳି !!!

 

ଏକ ସ୍ଥାନୁ ଝରୁଅଛି ହୃଦୟ ଅମୃତ

ଅନ୍ୟ ସ୍ଥାନୁ ହେଉଅଛି ବିଷ ଉଦ୍‌ଗୀରଣ,

ଅନ୍ଧ ଏ ଦୁନିଆ ହାୟ ବିଷର ସନ୍ଧାନେ

ଚାଲିଅଛି ହୋଇ ସତେ କି ଉଚ୍ଚାଟ ମନ !

 

-ଚାରି-

ତାରେ କଣ ଦେବ ନାଇଁ

ସୁଯୋଗ ସୁବିଧା ପୂରା ଅଧିକାର ?

ବଞ୍ଚିବାକୁ ତା’ ମାନ ସମ୍ଭ୍ରମ ଧରି

ଧରି ତାର ମଧୁର ସଂସାର ?

 

ତା’ ଅନ୍ତର ହସିବନି ଦେଖି ଏଇ-

ତରଳ ଚଞ୍ଚଳ ସ୍ୱଚ୍ଛ ଜହ୍ନରାତି

ଦେଖିବନି ପ୍ରାଣର ମଧୁର ସ୍ୱପ୍ନ

ଉଠିବନି ପୁଲକି ତା’ ଛାତି ?

 

ଗାଇବନି ଗୀତ ସିଏ

ମନର ମଉଜେ

ଏ ସୁନ୍ଦର ବସୁନ୍ଧରା ପରେ ?

ପିନ୍ଧିବନି ସୁନ୍ଦର ପୋଷାକ

ତୁମ ତୁଲେ ବୁଲିବନି ଥରେ ?

 

ହୃଦୟର ସୁଖ ଦୁଃଖ

କହିବନି ତୁମରେ କି

ଆପଣାର କରି ?

ଯେ ଟିକକ ପ୍ରତିଭ ତାହାର

ଯିବ ସେକି ତା’ଭିତରେ ମରି ?

 

ଏ ଆକାଶ ଏ ପୃଥିବୀ

ବିଲ ବନ ପାହାଡ଼ ପ୍ରାନ୍ତର

ତା’ ପାଇଁ କି ଖୋଲିବେନି

ମଧୁର ଅନ୍ତର ?

 

ବିହଗର ମଧୁକଣ୍ଠ

କାନେ ତାର ଢାଳିବନି ସୁଧା ?

ରହିବ ଅତୃପ୍ତ ସତେ

ତା’ ଦରିଦ୍ର ଜୀବନର

ଯେତେ ଯେତେ କ୍ଷୁଧା ?

 

ଏ ଧରଣୀ ଲାଗିବନି ତାରେ

ସରଗରୁ ବଳି ମଧୁମୟ ?

ଗୋଟିଏ ନିମେଷ ସିଏ

କାଟିବନି ହୋଇ ଏଥି ‘ନିଃଶଙ୍କ ନିର୍ଭୟ ?

 

ତା’ ଓଠ କି ପଡ଼ିଥିବ ଫିକା

ଯୁଗ ଯୁଗ କାଳ କାଳ ଧରି ?

ଚିରଦିନ ରହିଥିବ ସେ କି

ଜଗତରେ ଖାଲି ମରି ମରି ?

 

ଆନନ୍ଦର ଅମୃତର ବିଶାଳ ବସୁଧା

ଲାଗୁଥିବ ତାରେ ଖାଲି ମରୁଭୂମି ପରି ?

ଆଖି ଲୁହ ହାତ ପଛେ ପୋଛି

ଚିରଦିନ ରହିଥିବ ପଡ଼ି ?

 

ସୁନ୍ଦର ଜୀବନ ତାର

ଲାଗୁଥିବ ନିୟତ ଦୁର୍ବହ

ଲାଞ୍ଛନାର ତାଡ଼ନାର ଅଭାବର କଷାଘାତେ

ହେଉଥିବ ଆକୁଳ ଅଥୟ ?

 

କେ’ ତାରେ ବୁଝିବ ନାଇଁ ?

ଦେବ ତୁମେ ସମସ୍ତେ ଆଡ଼େଇ ?

ଚାଲିଥିବ ସେ କି ସବୁବେଳେ

ସୀମାହୀନ ଆଘାତ ଓ ପ୍ରତିଘାତ ଦେଇ ?

 

ସିଏ କଣ ନିଭିଯିବ ?

ଜଳିବନି କେବେ ହେଲେ ଥରେ ?

ସେ କି ଏଡେ ତୁଚ୍ଛ ?

କିଛି ନୁହଁ ଏ ମହା ବିଶ୍ୱରେ ???

 

-ପାଞ୍ଚ-

ତୁମେ ଯା’ଙ୍କୁ ଅସଭ୍ୟ ବର୍ବର ମଳି ମୁଣ୍ଡିଆ କହି

ପାଦ ତଳେ ଦେଉଚ ଆଡ଼େଇ

ସେମାନଙ୍କ ପ୍ରତି ବିନ୍ଦୁ ଶୋଣିତର ଦାନ ନେଇ

ବଞ୍ଚିନ କି ତୁମେ ଧରାତଳେ ?

 

ସେମାନଙ୍କୁ ଛାଡ଼ିଦେଲେ

କାହିଁ ତୁମ ଗତି ସ୍ଥିତି

କହ ଆଜି କହ ମତେ ଥରେ !!


ତୁମେ ଆଉ ସେମାନଙ୍କ ମେଳେ

ଗଢ଼ି ଅଛ କିଆଁ ଏ ପାଚିରୀ ?

ତାଙ୍କଠାରେ ନାଇଁ କିବା ବଇଭବ ଶିରୀ ?

ସେମାନେ କାହିଁକି ଛୋଟ ?

ତୁମେ କିମ୍ପା ବଡ଼ ?

କାହିଁକି ଏ ଆଭିଜାତ୍ୟ ଅଭିମାନ ରହିଚି ତୁମ୍ଭର !

 

ମୁହୂର୍ତ୍ତ ମୁହୂର୍ତ୍ତ ଧରି

ପୃଥିବୀ ଆଖିରେ ତୁମେ

ପକାଉଚ ଧୂଳି

ତୁମ ତହୁଁ ବଳି କେହି ନାଇଁ-

 

ବଜାଉଚ ଆପଣାର ଜୟର ଦୁନ୍ଦୁଭି

ଯୁଗ ଯୁଗ ଧରି !

ସେମାନେ ନିରୀହ ଶାନ୍ତ ନିର୍ଦ୍ଦୋଷ ଜନତା

ସେମାନଙ୍କ ପରେ କରିବାକୁ ଅତ୍ୟାଚାର

ତୁମେ ଖାଲି ଖଟାଅ କ୍ଷମତା !!!

 

ବୁକୁ କାଟି ରକ୍ତ ଦେଇ

ପୃଥିବୀରେ କାମ ଯିଏ-

କରି ଚାଲେ ହୋଇ ନିଷ୍ଠାପର,

ତା’ ଉପରେ ଯେତେ ଯାହା

 

ଅତ୍ୟାଚାର କର,

ଦିନେ ସେ ଜାଗିବ ଧରି

ଶତ ସିଂହ ବଳ !!!

 

-ଛଅ-

ଏଇତ ଦେଖୁଚି ଏବେ

ଏ ମାଟିର ଶତ ଶତ

ମୂଲିଆ ଓ ମଜୁରିଆ

ଯାଉଚନ୍ତି ବାଛିବାକୁ ଧାନ

 

ଦିଶୁଚନ୍ତି ଜୀର୍ଣ୍ଣ ଶୀର୍ଣ୍ଣ

କଙ୍କାଳର ମାତ୍ରା ଅଛି

ହୋଇ ତାଙ୍କ ପ୍ରାଣ !

ଜମି ସବୁ ପଡ଼ିଅଛି

 

ପଡ଼ିଆ ପଙ୍କାଳ

ଏଇ ବର୍ଷ ବର୍ଷା ନାଇଁ ହେଲା,

ଯାଉଚନ୍ତି ଦୂର ଗାଏଁ ।।

କରିବାକୁ କାମ

 

ଯୁବା ଯଉବନୀ

ଭେଣ୍ଡା ପିଲା !

ଖାଇ ତ ନାହାନ୍ତି କିଛି !

ଲାଗି ଯାଇ ଅଛି ପେଟ

 

ମୂଲ କାହୁଁ ଆଣିଲେ ଗଣ୍ଡିଏ

ଚାଉଳ କିଣିବେ ହେଲେ

କେତେ ଯେ ଅନାସ୍ତ ହୋଇ

ଧରଣୀରେ ରହିଚନ୍ତି ସିଏ !!

 

ଅଭାବ ! ଅଭାବ ଖାଲି !

ଅନନ୍ତ ଅଭାବ !

ହାତ ପାଦ ଚକ୍ଷୁ ନାଶା

କପାଳ ଆବରି,

 

କେମନ୍ତେ ରଜୁତି କରେ,

ପ୍ରାଣର ସମସ୍ତ ଶୋହା

ନିର୍ମମ ପିଶାଚ ସମ

ଦିଏ ଧ୍ୱଂସ କରି !!

 

ଜଣେ ନୁହେ, ନୁହେ ଦୁଇଜଣ

ହଜାର ହଜାର ଏ ଯେ-

ନିଆଶ୍ରିକ ଜନ

ଚାହିଁ ଦେଲେ ଏମାନଙ୍କୁ

 

ବାରେ କେ’ କହିବ

ଫୁଟିବ ଏହାଙ୍କଠାରୁ

ମଣିଷର ଦୁର୍ଲ୍ଲଭ ଜୀବନ ?

 

କିଏ ବାସି ତୋରାଣିରୁ

ଢ଼ୋକେ ପିଇ

ଯାଉଥିବ କାମେ,

କା ଘରେ ନ ଥିବ କିଛି

 

ମୁନ୍ଦେ ପାଣି ପିଇ

ଚାଲିଥିବ କାମ କରିବାକୁ

ଦୂର ଗ୍ରାମେ !

କିଏ ଖାଇଥିବ ଜାଉ

 

ଲୁଣ ରୁଏ ନାଇଁ ଥିବ

ସାଙ୍ଗକୁ ତାହାରି;

କାହା ଝିଅ କାନ୍ଦୁଥିବ

ଉପା ସେ କି ଭଳି ଯିବ !

 

ମାଆ କହୁଥିବ

ବେଗି ଆ ତୁ ବାହାରି !

କୁଡ଼ିଆ ଖଣ୍ଡିଏ ଖଣ୍ଡିଏ-

ସବୁ ତାଟି କିଳି ଦେଇ

 

କେତେ ବଣ ବୁଦା ହୋଇ ପାରି

ଯାଛଚନ୍ତି କାମ ଦାମ

କରିବାର ଲାଗି

ବଦନ ମଣ୍ଡଳେ ଜାଗେ

ବେଦନାର !!

 

ଚାହିଁ ଦେଲେ ଏମାନଙ୍କୁ

ଠିଆ ହୋଇ ପଥପ୍ରାନ୍ତେ,

ଝରିଯାଏ ମୋ ନୟନୁ

ଲୁହ ଝର ଝର !!

 

ପୃଥିବୀରେ କେତେ ଦୁଃଖେ

କିଏ କାହିଁ ରହିଚନ୍ତି

ମୋହରି ଶୋଣିତ ଧରି

ଧରି ମୋ ଅନ୍ତର !!

 

ଘୋଡ଼ାଇ ହେବାକୁ କା’ର

କନା ଖଣ୍ଡେ ନାଇଁ

ବୁଝିବାକୁ ପ୍ରାଣର ଦଇନି

ନାଇଁ କେହି ଆପଣାର ଜନ

 

ବିରାଟ ଆକାଶ ତଳେ

ଏକ ରାଜ ପଥ ଧାରେ

ଚାଲିଚନ୍ତି କେଉଁ ଦୂରଗାଏଁ

କରିବାକୁ ଅନ୍ନ ଅନ୍ୱେଷଣ !

 

ଧିକ୍‌ଧିକ୍ ଶତ ଧିକ୍ !

ଯେଉଁମାନେ ଏମାନଙ୍କୁ ଚାହିଁ

ନାକ ଟେକି ଅପଦାର୍ଥ ମନେ କରି

ପାଦ ତଳେ ଦିଅନ୍ତି ଆଡ଼େଇ !

 

ତ୍ରିତଳ ସଉଧେ ରହି

ଏସରାଜ ରେଡ଼ିଓ ଭିତରେ

ହସି ହସି ଦିନ ମାନ ନିଅନ୍ତି ପୁହାଇ !

ଘନ ଘୋର ଅନ୍ଧକାରେ

 

ଅସଭ୍ୟ ବର୍ବର କରି ମଣିଷକୁ ରଖି,

ସୀମାହୀନ ଅଭାବ ଓ ଯାତନାରେ

ମଣିଷକୁ ଚିରକାଳ ସଢ଼ାଇ ସଢ଼ାଇ

ଯେ ଶାସନ ଚାଲେ-

 

ମଣିଷର ଲୁହ ନିଶ୍ୱାସର ତାପେ

କେତେ ଦିନ ତିଷ୍ଠିବ ସେ ?

ଟଳି ଯିବ ଦିନେ ଅସମ୍ଭାଳେ !

ସେ ଶାସନ ଦଣ୍ଡ ଧରି

 

ଗର୍ବ ଗଉରବ-

ଅନୁଭବେ ଯେ ଶାସକ ଜନ

କି ବୀଭତ୍ସ ପୂତି ଗନ୍ଧମୟ

ତା ଅନ୍ତର ମନ !!!

 

ଶାସନର ଅର୍ଥ ନୁହେ

ପ୍ରଭୁତ୍ୱ, ହାକିମି

ଅବା ସୀମାହୀନ ଘୋର ଅତ୍ୟାଚାର !

ପ୍ରତି ଜୀବନର ପରମ କଲ୍ୟାଣ ଲାଗି

 

ମୁହୂର୍ତ୍ତ ମୁହୂର୍ତ୍ତ ଧରି, ବୁଣିଦିଏ ଯାହା

ଅମୃତର ଅସରନ୍ତି ଧାରା-

ସେ ଏକା ଶାସନ

ସେ ରାଇଜ ସରଗରୁ ବଳି

ସୁଖ ଶାନ୍ତି କଲ୍ୟାଣର

ପୁଣ୍ୟ ନିକେତନ !!

 

-ସାତ-

ତୁମରି ସେ ଅସ୍ଥି ମଜ୍ଜା

ଶୋଣିତର ପ୍ରତିବିନ୍ଦୁ ତଳେ

ଜୀବନର ଦୀପ ନାଇଁ ଜଳେ

ତୁମେ ପ୍ରବଞ୍ଚକ

ତୁମେ ଯେହ୍ନେ ଏ ମାଟିର

ଜୀବନ୍ତ ନରକ !

ତୁମରି ଭିତରେ ତୁମେ ନାହିଁ ।

 

ତୁମେ ଅଛ ଛଳନାର ବିଷାକ୍ତ ଗହ୍ୱରେ

ଏକ ଭୟଙ୍କର ସରିସୃପ ପ୍ରାୟ

ନିଜକୁ ଜାଣିନ ତମେ

ଜାଣିବାକୁ ଦେଇନାହିଁ ବାରେ ଅବକାଶ

କେମନ୍ତେ ଜାଣିବ ତୁମେ ?

 

ମଣିଷର ସକଳ ସମ୍ପଦ

ତୁମଠାରୁ ହୋଇଚି ନିକାଶ !

ଅଗଣନ ଏ ମଣିଷ ଜାତି !

 

ସବୁରିଙ୍କୁ ଘୃଣା

ସବୁରିଙ୍କୁ ଅବିଶ୍ୱାସ

ସବୁରିଙ୍କୁ କରୁଅଛ

ଉତ୍କଟ ସନ୍ଦେହ

ତୁମେ ଖାଲି ଛପି ଛପି

କରୁଚ ଆସିବା ଯିବା

କେମନ୍ତେ ଲାଗୁନି ତିଳେ

ଭାରାକ୍ରାନ୍ତ

ତୁମ ମନ ଦେହ ?

 

ଏ ଅନନ୍ତ ପୃଥିବୀ ଉପରେ

ଜୀବନ ଜୀବନ ସହ

ଅନ୍ତର ମିଶାଇ

ଚାଲିବାକୁ

ଆପଣାର ଯାତ୍ରା ପଥେ

ଯେବେ କୁଣ୍ଠାବୋଧ କରେ

କି କଦର୍ଯ୍ୟ ଜଘନ୍ୟ ରାସ୍ତାରେ

ସେ’ ଯେ ପାଦ ଚାଲି ଚାଲେ-

କେମନ୍ତେ ପାରିବି କହି ?

 

ଆସୁନି ମୋ

କଳ୍ପନାର ତଳେ !!

ସମାଜର ସ୍ତରେ ସ୍ତରେ

ରହିଅଛ ତୁମେ ଚକାମାଡ଼ି

ତୁମରି ନିର୍ମମ ହାତ

ସୃଜନ କରୁଚି କେତେ

ଶ୍ମଶାନର ଗାତ

ଏ ମାଟିର ଚତୁର୍ଦ୍ଦିଗେ

ସୀମା ତାର କାହିଁ ?

 

କେଉଁ ପିଶାଚର

ନିର୍ଯାସରେ ଗଢ଼ା

ତୁମ ଦେହ ମନ ଜାଣିପାରେ ନାଇଁ !!

କ୍ଷମତା ଓ ଧନ ଏଇତ ତୁମରି ଅସ୍ତ୍ର !

ୟାରି ବଳେ ବିଚାରିଚ ତମେ

କରୁଥିବ ଚିର ଦିନ ଏଥି ରାଜପଣ !

 

ଏହାରି ବଳରେ ତୁମେ

କରିଯିବ ସବୁ ଅନାଚାର

ଏ ଟିକକ ଥିଲେ ଯେହ୍ନେ

ପୃଥିବୀ ତୁମରି ହାତେ

ଗୋଟେ ଖେଳଘର ।

 

ତୁମେ ଖାଲି ଲୋଡ଼

ଦୁନିଆର ଆଉ ଯେ ସମସ୍ତେ

ଡରି ମରି ରହିଥିବେ

ତୁମ ପାଦ ତଳେ ।

 

ତୁମେ ଖାଲି କରୁଥିବ

ନିରଙ୍କୁଶ ରାଜପଣ

ତାଙ୍କରି ଉପରେ !

ଜାଣ ତୁମେ ଜାଣ ?

 

ମଣିଷ ଏ ପୃଥିବୀର ସମସ୍ତ କ୍ଷମତା !

ମଣିଷ ଏ ପୃଥିବୀର ଏକମାତ୍ର ଧନ !

ମଣିଷ ଏ ପୃଥିବୀର ଏକାନ୍ତ ଗୌରବ !

 

ମଣିଷରେ ଦୂରେ ଦୂରେ ବହୁଦୂରେ

ଫିଙ୍ଗିଦେଲେ ତମେ

ଏ ଜୀବନ କେଡ଼େ ନିଃସ୍ୱ କେଡ଼େ ପ୍ରାଣହୀନ !!

 

ଯେଉଁ ଦେଣ

ଯେଉଁ ବ୍ୟକ୍ତି

ମଣିଷକୁ ଦେଇନାଇଁ

ସେନେହ ସମ୍ମାନ,

ବୁଝିନାଇଁ ବୁଝିନାଇଁ

ମଣିଷର ପ୍ରାଣ

 

ଏ ମାଟିର ପରମ କଲ୍ୟାଣ

ମଣିଷର ଦରଦରେ

କାନ୍ଦିନାଇଁ ଲୁହଟିଏ ଢାଳି

ହୃଦୟ ସର୍ବସ୍ୱ ଦେଇ

ଆପଣାର ଶୋଣିତରେ ମଣିଷକୁ

 

ଆଣିନାଇଁ ପାଳି,

ସେଇ ବ୍ୟକ୍ତି ସେଇ ଦେଶ

ଆପେ ଆପେ

ଯାଇନିକି ଅସ୍ତହୋଇ

ଦିଗବଳୟ ଆର ପାରେ

ଚିରଦିନ ପାଇଁ..... ?

 

-ଆଠ-

ନାଇଁ ସଖା ! ନାଇଁ ବନ୍ଧୁ !

କରନାଇଁ ମତେ ଅନୁରୋଧ

ଯିବାପାଇଁ ସେଇ ଥାନେ ମୋର-

ହୁଏନାଇଁ ତିଳେକ ହୃଦ୍-ବୋଧ ।

ସେଠିକି ଯିବିନି ମୁହିଁ

 

ମାଡ଼ିବିନି ଲବେ ସେଇଥାନ

ସେ ଭୁଇଁର ମୋହନ ଉତ୍ସବେ

ଫୁଟେନାଇଁ ମୋ ଅନ୍ତର-ଗାନ ।

ଜାଗେ ନାଇଁ ମରମେ ମୋହରି

ଅମୃତର ଏକଇ ଉଚ୍ଛ୍ୱାସ

 

ଯେତେଦେଲେ ଅମିତ ଗୌରବ

ଅଧରେ ମୋ ଜାଗେ ନାଇଁ ହାସ ।

କ୍ଷମତା ଓ ସମ୍ପଦର ଜୟ ଜୟକାରେ

ଯେଉଁ ମାଟିନିତ୍ୟ ମୁଖରିତ,

 

ବେଶ ବାସ ବିଭବ ଗୌରବ

ହୁଏ ଯହିଁ ଖାଲି ସନ୍ମାନିତ,

ଦୀନ ନିଃସ୍ୱ ଦାରିଦ୍ର୍ୟରେ ଚାହିଁ

ଯେଉଁଠାରେ କା’ ଅନ୍ତର

 

ଯାଏନାଇଁ ତିଳେହେଲେ ଦ୍ରବି,

ଦୁଃଖୀର ଅଭାବ ଦେଖି,

ନେତ୍ରୁ ଯହିଁ,

ଏକ ବିନ୍ଦୁ ଲୁଣି ଲୁହ ଉଠେ ନାଇଁ ସ୍ରବି,

ହଜାର ହଜାର ଦୀନ ଦୁଃଖୀ

 

ନିଆଶ୍ରିକ ଜୀବନର

ଲୁହବୋଳା ମର୍ମନ୍ତୁଦ-

ଦୃଶ୍ୟ ଚାହିଁ ଚାହିଁ

ଗୌରବର ଗଜଦନ୍ତ ଗାଦିପରେ ତହିଁ

ଏକଇ ନିମେଷ ବସି ପାରିବି ମୁଁ ନାଇଁ !!

 

ମୋହଠି ରହିଛି ଯେଉଁ ରକ୍ତ ମାଂସ ହାଡ଼,

ମୋହଠି ରହିଚି ଭରି ଯେ ଅନ୍ତର ମନ,

ସେଇ ଉପାଦାନ ନେଇ

ଗଢ଼ାନିକି ? ଲକ୍ଷ ଲକ୍ଷ ଲାଞ୍ଛିତ ଜୀବନ !

 

ମୁଁ ଆଜି ଲୋଡ଼ୁଚି ଯଦି ଅତୁଳ ଐଶ୍ଚର୍ଯ୍ୟ

ସେମାନେ କି ଲୋଡ଼ୁଥିବେ ନାଇଁ ?

ସହସ୍ର ସୁନେଲି ସ୍ୱପ୍ନ

ସେଇ ନିଃସ୍ୱ ବୁକୁତଳେ ଉଇଁ

 

ଯାଉଥିବ ନୀରବେ ଉଭାଇ !!

ବିରାଟ ଏ ବସୁଧାର ଅଭିଶପ୍ତ ପ୍ରାଣୀ ପରି,

କେତେ କାଳ ବଞ୍ଚିରହି,

ଦୁଃଖ ରୋଗ ଅଭାବର ଅନନ୍ତ ତିମିରେ,

 

ବୁଡ଼ିଯିବେ ଦିନେ କେଉଁ ମହାକାଳନୀରେ !

ଧରଣୀରେ ଆସିବାର

ଜୀବନକୁ କରିବାର,

ବକ୍ଷଭରି ବାରେ ଉପଭୋଗ

 

ମିଳେ ନାଇଁ ଦଣ୍ଡେ ପାଇଁ ଯାହାରେ ସୁଯୋଗ ।

ସେ ମୁମୂର୍ଷୁ, ଚିର ରୁଗ୍‌ଣ, ଚିର ନିଃସ୍ୱ, ଚିର-

ହାହାମୟ-ଜନତାର ଲାଗି,

ବିରାଟ ସହାନୁଭୂତି ବକ୍ଷଭରି ଉଠେନାଇଁ ଜାଗି-

 

ଯେଉଁ ଧରିତ୍ରୀର,

ସେଠି ଅଛି ଯେ ମାନବିକତା.

ସେ କି ଯୁଗ ଯୁଗ ଧରି ହୋଇନାଇଁ ନତଶିର ?

ମଧ୍ୟାହ୍ନର ଛାୟା ସମ

 

ଦୃଷ୍ଟି ରେଖା ତହିଁ ସତେ କେଡ଼େ ସଙ୍କୁଚିତ !

ଯିବିନି ନିମିଷେ ତହିଁ,

ଯିବାପାଇଁ ମୋ ଅନ୍ତର ସେଇଥାନେ ସତତ କୁଣ୍ଠିତ

ଯିବି ମୁଇଁ ମାଡ଼ି ସେଇ ଅପନ୍ତରା ସେ ଅରମା ବାଟ ପୃଥିବୀର ଶତ ଦୁଃଖ

 

ଅଭାବର ନିଦାରୁଣ ବିଭୀଷିକା

କରେ ଯହିଁ ଚିରଦିନ ଚିରକାଳ ସକରୁଣ ନାଟ,

କାନେ ମୋର ବାଜିଯାଏ ବୁଭୁକ୍ଷୁର ଦୈନ୍ୟବୋଳା ବାଣୀ

ତରଳାଇ ଦିଏ ମୋର ହୃଦୟର ପ୍ରତିରେଣୁ କଣା

 

ନିରାଶ୍ରୟ ନୟନର ତପ୍ତ ଅଶ୍ରୁ

ମରମେ ମରମେ ମୋର କି ଆଘାତ ହାଣି !

ଡାକେ ମତେ ପୃଥିବୀର

ସେଇ ଅପନ୍ତରା

 

ସେ ଅରମା ଭୂଇଁ

କାଳ କାଳ ଧରି ଯିଏ

ମଣିଷ ଅନ୍ତର ସୁଧା

ଲବେ ନାଇଁ ଛୁଇଁ !!

 

-ନଅ-

ଯିବିନାଇଁ ?

ଯାହା ଲାଗି ଏତେ ଏତେ

ସାଧନା ଧିଆନ

ଯାହା ଲାଗି ଅକୁଣ୍ଠିତେ

 

ଦେବା ଲାଗି ପ୍ରାଣ

ଚାହିଁ ମୁଁ ବସିଚି ନିତି

ଯାହା ପାଇଁ ମମ

ବୁକୁ ତଳେ ଜାଗି ଉଠେ

 

ସିଂହର ବିକ୍ରମ ।

ସମସ୍ତ ବନ୍ଧନ ବାଧା

ଏଡ଼ି ଦେଇ ବାରେ

ଯିବାକୁ ମୁଁ ଉତ୍କଣ୍ଠିତ

 

କେମନ୍ତେ ମୁଁ ତାରେ

ପାଶୋରି ପାରିବି କହ ?

ଯିବି ମୁହିଁ ଝଡ଼ି ?

କଳିକାଟି ବୃନ୍ତ ଚୂଡ଼ୁ

 

ଝଡ଼ି ଗଲା ପରି ?

ପ୍ରାଣହୀନ ମହାମରୁ

ବାଲିସ୍ତୁପ ପରି

ମୁଁ କି ଖାଲି ପଡ଼ିଥିବି

ଯୁଗ ଯୁଗ ଧରି ?

 

ସୀମାହୀନ ପାରାବାରେ

ଉତ୍‌ଶୃଙ୍ଖଳ ଉର୍ମିମାଳା

ଝଡ଼ର ଉତ୍ସଙ୍ଗେ

ଊର୍ଦ୍ଧ୍ୱେ ଊର୍ଦ୍ଧ୍ୱେ

 

ଉଠିବାର ପରି

ଅଣଚାଶ ପବନର

ମହା ଆବର୍ତ୍ତନେ

ମେଘ ଆସେ ଯେଉଁଭଳି

 

ଦୂରୁ ଦୂରୁ ବହୁ ଦୂରୁ

ପ୍ରଳୟର ମହାମୂର୍ତ୍ତି ଧରି

ଆଗ୍ନେୟ ପର୍ବତ ଚୂଡ଼େ

ଅଗ୍ନିଶିଖା

 

ଯେହ୍ନେ ଉଠେ ଜଳି

ଚତୁର୍ଦ୍ଦିଗେ

ମୂହୂର୍ମୁହୂ

ଜଗଇ କମ୍ପନ,

 

ସେଭଳି ଉଠିବି ମୁହିଁ

ଅଛି ମୋର ସୀମାହୀନ-

ଶକ୍ତି ପରାକ୍ରମ !!

 

ଶତ ଓ ସହସ୍ରବାର

ମତେ କିଏ ଚାପାଦେଲେ

ପୃଥିବୀ ଅତଳ ତଳେ

ନିଭିଯିବି ନାଇଁ !!

 

ଊର୍ଦ୍ଧ୍ୱେ ଊର୍ଦ୍ଧ୍ୱେ

ଆହୁରି ଅସୀମ ଊର୍ଦ୍ଧ୍ୱେ

ଉଠିବି ଉଠିବି ମୁହିଁ

ଦିନ ଦିନ ଧରି ମୁଁ ଯେ

ରହିଅଛି ଚାହିଁ !!

 

ମୁଁ ଚାଲିବି ସେଇ-ପଥେ !

ଚିର ଦିନ ଯେଉଁପଥ !

ଭୀଷଣ ଦୁର୍ଗମ !!

ଯେଉଁଠି

ବିପଦ, ଭୟ,

 

ଦୁଃଖ ଓ ଦୁର୍ଦ୍ଦଶା

ବନ୍ୟ ହିଂସ୍ରଜନ୍ତୁ ପରି

କରଇ ଗର୍ଜ୍ଜନ !!

ଯେଉଁଠି ଚାଲିବା ପାଇଁ

ଥରିଯାଏ ଧରିଣୀର ହିୟା !

 

ନିଭିଯାଏ ବୁକୁ ତଳୁ

ଦମ୍ଭ ଆଉ ସାହସର ନିଆଁ;

ଯେଉଁଠି କେ ଚାଲେନାଇଁ

ଚାଲିପାରେ ନାଇଁ

ପାଦ ଚିପି ଚିପି ଚାଲେ

 

ଫେରିଆସେ

ଖଣ୍ଡେଦୂର ଯାଇ,

ଯେଉଁଠି ରହିଲେ କିଏ,

ରହିଥାଏ ଚିରଦିନ

 

ମଡ଼ା ଓ ମୁର୍ଦ୍ଦାର ପରି

ଜୀବନ ସର୍ବସ୍ୱ

ବଳି ଦେଇ

କାହା ପାଦତଳେ,

 

ଟିକିଏ ସେ

ହେଲେ ହଲଚଲ,

ପ୍ରାଣର ସଂଚାର ହେଲେ

ତା’ ଭିତରେ

ଲବ ମାତରକେ,

 

ବାଜଇ ଅଙ୍କୁଶ ତା’ଠି

ପାରେନି ପାରେନି ଉଠି

ପଡ଼ି ରହେ

ପାଟି ତୁଣ୍ଡ ଚିପି କଲବଲେ !

 

ସେ ଦୁର୍ଗମ ପଥେ ପଥେ

ଚାଲିବି ଚାଲିବି ମୁହିଁ

ହେବି ପଛେ ମୁଁ କ୍ଷତ ବିକ୍ଷତ

ରକ୍ତ ପଛେ

ଧାର ଧାର ହୋଇ

 

ବହିଯିବ

ପ୍ରତି ଅଙ୍ଗୁମମ

ଦେବିନାଇଁ ପଛଘୁଞ୍ଚା

ଯିବିନାଇଁ ଲଇଁ

 

ମୋ ଶୋଣିତ ପ୍ରତିବିନ୍ଦୁ

ଶୀତଳ ଶିଥିଳ ନୁହେଁ

ତା’ ଭିତରେ

ଅଗ୍ନି ଜଳେ

ଦପ ଦପ ହୋଇ !!

 

କେ ଚାହେରେ

କା’ ଦୁଆରେ

ଚିର ଦିନ

ହେବାକୁ ଗୋଲାମ ?

 

ଯାଉଣୁ ଆସୁଣୁ ନିତି

କରିବାକୁ ପ୍ରାଣହୀନ-

ସହସ୍ର ସଲାମ !

ହଜୁର ହଜୁର କହି

 

ପଛେ ପଛେ

ଚିରଦିନ ଗୋଡ଼ାଇବା ପାଇଁ

ନିଜର ସମସ୍ତଟିକ

ମାରି ହାଣି

ନିତି ଟିକି ଟିକି କରିଦେଇ !

 

ଜୀବନ ମୋହର କିରେ

ଏତେ ତୁଚ୍ଛ ଏତେ ହେୟ

ତୁମେ ମନେକର ?

ଅନ୍ୟର ଆଶ୍ରୟ ବିନୁ

 

ମୋ ପକ୍ଷେ ଚାଲିବା କଣ

ଏତେ କଷ୍ଟକର ?

ବଳଥାଇ ବୀର୍ଯ୍ୟଥାଇ

ମୁହିଁ କିଂପା

ହେବିରେ ଗୋଲାମ !

 

ଅନ୍ୟ ପାଦ ଚାଟି ଚାଟି

ପାଇକି ପାରିବି କେବେ

ଅମୃତ ସଂଧାନ ?

ମୁହୂର୍ତ୍ତ ମୁହୂର୍ତ୍ତ ଧରି

 

ନିଜକୁ ମୁହଁରେ

ମାରି ମାରି ଖାଲି ମାରି ମାରି

କି ମଧୁସଂପଦ ଶିରୀ

ପାଇବି କହତ ଏଠି ବାଟଚାଲି !

 

ମୋହଠି ରହିଚି ଯେଉଁ

ଆଲୋକ ବର୍ତ୍ତିକା

ଜାଳେଁ ତାକୁ ଜାଳେଁ

ତାହାରେ ନିଭାଇ କିପାଁ

 

ରହିବି ମୁଁ ନିବିଡ଼ ଅନ୍ଧାରେ

ମୁହିଁ ତ ଜୀବନ

ମୋହରି ଭିତରେ ଦୀପ୍ତ

ସୀମାହୀନ

ସହସ୍ର ତପନ

 

ଠିଆହେବି

ଅଣ୍ଟାଭିଡ଼ି

ମୃତ ଓ ମୁମୂର୍ଷୁ ପରି

ରହିବିନି ରହିବିନି ତିଳେ

 

ଗୋଲାମିର ଘୃଣ୍ୟଶିରେ

ପଦାଘାତ କରି

ଚାଲୁ ମୋର ଜୀବନ ଦିହୁଡ଼ି

ବିଜୟ ସମ୍ଭାରେ !

 

ଯେଉଁଠି ଟିକିଏ ଅଛି

ସତ୍ତା ଜୀବନର

କ୍ଷୁଦ୍ର ନୁହେଁ

ତୁଚ୍ଛ ନୁହେଁ ତାହା

 

ମୋହଠି ଜୀବନ ଅଛି

ପାରୁଚି ମୁଁ ଜାଣି ତାହା

ଅନ୍ତରେ ଅନ୍ତରେ !!

ଦେଖିବି ଦେଖିବି ମୁହିଁ,

 

କାହା ଲେଲୀହାନ ଜିହ୍ୱା

ଘରପୋଡ଼ି ଅଗ୍ନିପରି

ମେଲାଇ ସହସ୍ର ଶିଖା

ନେଉଛି ଏ ଧରିତ୍ରୀରେ ଚାଟି,

 

ଚତୁର୍ଦ୍ଦିଗେ ପଡ଼ିଅଛି

ପାଉଁଶ ଅଙ୍ଗାର

ଦରପୋଡ଼ା

ଶତ କୁଟାକାଠି !

 

ମୋର ଏଇ ରକ୍ତ ମାଂସ ହାଡ଼-

ଭିତରୁ ଛୁଟୁଛି ଆଜି

ଝଡ଼ର ହୁଂକାର ।

ପାଗଳ ମୁଁ

 

ଅଥୟ ଚଞ୍ଚଳ !

ନୁହେ ଆଜି

ନିଜେ ମୁଁ ନିଜର !

ବିରାଟ ଏ ଧରିତ୍ରୀର

ଯେତେ ନିଃସ୍ୱ,

 

ନିପତିତ,

ନିସ୍ପେଷିତ,

-ସବୁରି ପ୍ରାଣର

ମୁହିଁ ଏକ

ସତ୍ୟ ବୋଳା

ଦୀପ୍ତ ତଲୁଆର

 

ପ୍ରଳୟର ମହା ଅଗ୍ନି ଭେଦି

ପୃଥିବୀରେ କରିବାକୁ

ପ୍ରାଣର ସଂଚାର

ଉଠିଚି ମୁଁ,

ଆସିଚି ମୁଁ,

 

ଆସିନାଇଁ

ଦାସତ୍ୱ ଶୃଙ୍ଗଳେ କାହିଁ

ବନ୍ଧା ରହି,

କରିବାକୁ

 

ଅନୁଗ୍ରହ ଭିକ୍ଷାକାର

ପଥଚାରୀ

ନିରନ୍ନ କୁକ୍‌କୁର ପରି

ଲାଙ୍ଗୁଳ ହଲାଇ !!!

 

-ଦଶ-

ଧରଣୀରେ ରହେ ମୁହିଁ

ସୀମାହୀନ ରାଜ ଭୋଗ ତଳେ ।

ଅଭାବର କଷାଘାତ

ନ ପରଶୁ ମୋରେ ହେଲେ ଥରେ,

 

ହେମ ହର୍ମ୍ୟ କୋଳେ ଥାଏ

ଐଶ୍ୱର୍ଯ୍ୟର ମଧୁସ୍ପର୍ଶ ଲଭି !

ଗୋଲାପ ଶଯ୍ୟାରେ ଢଳି

ଦେଖୁଥାଏ ଶତ ସ୍ୱର୍ଣ୍ଣ ଛବି

 

ଦୁଃଖ ଦାରିଦ୍ର୍ୟର ସେ ଯେ-

ମର୍ମନ୍ତୁଦ ଶତ ନିସ୍ପେଷଣ

ନ ଭୋଗି ଜୀବନେ ଲବେ

ବିତିଯାଉ ମୋର ପ୍ରତିକ୍ଷଣ

 

ଏସବୁ ଭିତରେ କିନ୍ତୁ

ଯେବେ ନାଇଁ ମୋର ସ୍ୱାଧୀନତା

କେମନ୍ତେ କହିବି ମୋର ଜୀବନରେ

ଅଛି ସ୍ୱାର୍ଥକତା ??

 

ସବୁ ଥାଉ ଯେବେ ମୁହିଁ

ଦାସତ୍ୱର ନିବିଡ଼ ଶୃଙ୍ଖଳେ

ବନ୍ଧା ହୋଇ ପଡ଼ିଥିବି

ଯେତେ ଯାହା ଆଶା ବୁକୁ ତଳେ

 

-ଫୁଟାଇ ପାରିବି ନାଇଁ

ଚାହୁଁଥିବି କା ଆଦେଶ ପ୍ରତି,

ଆକାଶର ମୁକ୍ତ ପକ୍ଷୀ ସମ

ପାରିବିନି କରି ଅଗ୍ରଗତି,

 

କୁସୁମର ଗନ୍ଧ ପରି

ଯିବି ନାଇଁ ଭାସି ଚାରିଆଡ଼,

ଚତୁର୍ଦ୍ଦିଗେ ମୋର ଯେବେ

ରହିଥିବ ଶତ ବଜ୍ରବାଡ଼,

 

ପାଦେ ମାତ୍ର ଯିବାପାଇଁ

ଯେବେ ଲକ୍ଷ ପାଦ ଧରାହବ,

ଧିକ୍ ଧିକ୍ ମୋ ଐଶ୍ୱର୍ଯ୍ୟେ

କାହିଁ ତହିଁ ବିରା ଗୌରବ ?

 

ଦରିଦ୍ର କୁଟୀର ତଳେ

ବସିଥାଏ କୁଶ ଶଯ୍ୟା ପାରି,

ଦାରିଦ୍ର୍ୟର କଷାଘାତେ

ରହେ କେବେ ହୋଇ ଅନାହାରୀ,

 

ନ ପଚାରୁ କେହି ମୋରେ

ନଥାଉ ମୋ ଭୋଗ ଆଡ଼ମ୍ବର

ପୟର ଯୁଗଳୁ ଯେବେ ଛିଣ୍ଡି ଅଛି

-ଦାସତ୍ୱ ଶୃଙ୍ଖଳ

 

ମୁକ୍ତ ନୀଳାମ୍ବର ପରି

ଯେବେ ମୁହିଁ

ପୂର୍ଣ୍ଣ ପ୍ରସାରିତ,

ପ୍ରାଣ ପ୍ରତି ତନ୍ତ୍ରୀ ତଳୁ ଫୁଟେ ଯେବେ

 

ସ୍ୱାଧୀନ ସଙ୍ଗୀତ-

ପବନ ମର୍ମରପରି ଆପେ ଆପେ,

ଦିନ ଦିନ ଧରି,

କିଏ କହ ଭାଗ୍ୟବାନ ପୃଥିବୀରେ

ମୋହ ତହୁଁ ବଳି ?

 

ମୁହିଁ ଚାହେ ଧରା ପୃଷ୍ଠେ

ବଞ୍ଚିବଇଁ ସେ ଜୀବନ ଧରି

ଦାଉ ଦାଉ ଜଳୁଥିବ ଯାହା

ଆକାଶର ଶତ ସୂର୍ଯ୍ୟପରି;

 

ଅଗ୍ନିଶିଖାସମ ଯେହୁ

କାଳକାଳ ହେବ ଊର୍ଦ୍ଧ୍ୱଗାମୀ

ଅନନ୍ତ ପ୍ରେରଣା ବହି

ବୁକୁ ତଳେ ତଳେ ଦିବାଯାମୀ

 

-ଡରିବନି ଥରିବନି

ରହିଥିବ ଶୁଦ୍ଧ ସତ୍ୟ ସମ

ପୃଥିବୀରେ ଅନନ୍ତ ବିକ୍ରମେ

କରୁଥିବ ନିତ୍ୟ ବିଚରଣ !

 

ଏଭଳି ଜୀବନେ ଅଛି

ଶତ ଗର୍ବ ଶତ ଗଉରବ

ଯେଉଁଠାରେ ସ୍ୱାଧୀନତା

ସେଠି ଏଇ ଜୀବନ ସମ୍ଭବ !!

 

ମୋରେ ଯଦି ଧରଣୀରେ

କେ ପଚାରେ କିସ ତୁମ୍ଭେ ଚାହ ?

ସବୁ ଯାଉ, ଥାଉ ମୋର ସ୍ୱାଧୀନତା

ଏଇ ଅଭିପ୍ରାୟ-

 

ଜଳଦ ଗମ୍ଭୀର ସ୍ୱରେ

କହିବଇଁ ବାରବାର କରି,

ସ୍ୱାଧୀନତାଠାରୁ ବଳି

ପୃଥିବୀରେ ନାଇଁ ଅବତରି,

 

ବିରାଟ ସଂପଦ କିଛି ମଣିଷର ।

ସ୍ୱାଧୀନତା ଧରି

ମଣିଷ ସୁନାର ସ୍ୱର୍ଗ

ପୃଥିବୀରେ ଯାଏନିକି ଗଢ଼ି ?

 

ନିଜକୁ ଓ ଅପରକୁ

ଗୌରବେ ଫୁଟାଇବାର

ପାଏନିକି ପୂର୍ଣ୍ଣ ଅବକାଶ

ଦାସତ୍ୱ ଭିତରେ କାହିଁ

ଜୀବନର ମୋହନ ବିକାଶ ?

 

-ଏଗାର-

ବକ୍ଷ ଭରି ଭଏପାଏ ମୁହିଁ

ବିରାଟ ସୁନ୍ଦର ଏଇ

ଧରିତ୍ରୀରେ ମୋର !

ମରୀବାକୁ ତାରିଲାଗି

 

ଢାଳିମୋର ଧମନୀର

ପ୍ରତି ରକ୍ତବିନ୍ଦୁ,

ଅକୁଣ୍ଠିତେ,

ଅକାତରେ ।

 

ଜୀବନର ସମସ୍ତ ମୁହୂର୍ତ୍ତ ଧରି

ତହିଁରେ ମୋ ଜୀବନର

ଅନନ୍ତ ଅମୃତ ଶୋହା

ଉଠିବ ସଂଚରି !

 

ଯେ ମାଟି ଉପରେ ଖାଲି

ହାଡ଼ ମାଳମାଳ !

ଯେ ମାଟି ଉପରେ ଖାଲି

କରୁଣ ଚିତ୍‌କାର !

 

ଯେ ମାଟି ଉପରେ ଖାଲି

ଦୈନ୍ୟ ଅନାହାର !

ରୋଗ ଦୁଃଖ ଅଭାବରେ

ନିୟତ ସନ୍ତୁଳି ହୋଇ

 

ଯେଉଁଠି ଜୀବନ ହୁଏ

ନିତ୍ୟ କଲବଲ

ଚାହିଁ ଦେଲେ ଚତୁର୍ଦ୍ଦିଗେ

ଦିଗ୍‌ବଳୟ ବ୍ୟାପୀ

 

ଚିର ଅବସାଦ ଛାୟା

ଘେରି ଅଛି

ଯହିଁ ନିରନ୍ତର

ସେ ମାଟିରେ

 

ଆଣିବାକୁ

ଜୀବନର ଛଇ

ମରିବିନି ?

ବଞ୍ଚିବି ମୁଁ

ଘେନି କିବା

ଆନନ୍ଦ ସମ୍ଭାର ?

 

ମୋ ଆନନ୍ଦ,

ମୋ ଜୀବନ,

ମୋହର ସହସ୍ର ସ୍ୱପ୍ନ,

ସବୁ ଆଶା ସବୁ ଅଭିଳାଷ

 

ଏଇ ମାଟି ଏଇ ଦେଶ

ଏଇ ମୋର ବିରାଟ ଜନତା

ଏ ସବୁରେ

ନିର୍ମମ ପିଶାଚ ପରି

 

ପାଦତଳେ ଦଳି

କେମନ୍ତେ ଚାଲିବି କହ

କେଉଁଆଡ଼େ

ଏ ସମ୍ପଦ ଧରି ?

 

ଜୀବନ କି ଫୁଟେ ?

ଯେବେ ଏ ମଣିଷ

ମଣିଷକୁ ଚିରଦିନ

କରେ ନାରଖାର

 

ସେ କି ଆନନ୍ଦ ?

ମଣିଷ ମଣିଷ ନେତ୍ରୁ

ବୁହାଇଲେ

ଉଷ୍ମ ଅଶ୍ରୁଧାର ।

 

ସେଇ କଣ ଗଉରବ ?

ପାଦତଳେ ଦଳି-

ମଣିଷରେ

କରିବାହିଁ

ଆପେ ଅଗ୍ରଗତି ।

 

ସେଇ କଣ ତୃପ୍ତି ?

ମଣିଷର ମଡ଼ାପରେ ବସି

ବୋଲାଇବା

ଆପେ ଛତ୍ରପତି ।

 

ସେଇ କି କ୍ଷମତା ସତେ ?

ଭୀତ ତ୍ରସ୍ତ କରି ନିତ୍ୟ

ମଣିଷକୁ ଦୂରେ ରଖିବାର

ସେ କି ଲକ୍ଷ୍ୟ ?

 

ଆପେ ବଡ଼ ହୋଇ

ଖେଳାଇବା ଚତୁର୍ଦ୍ଦିଗେ

ହାଡ଼ ମାଳ ମାଳ !

ସେଇ କି ହୃଦୟ ?

 

କାରବାର ଯା’ର

ମଣିଷକୁ ଚିରଦିନ

ଦେବାହିଁ ଯନ୍ତ୍ରଣା

ସେଇ କଣ ଆନନ୍ଦର ବସୁନ୍ଧରା ?

 

ମଣିଷ ମଣିଷ ମେଳେ

ଯେଉଁଠାରେ ଭେଦ ଦ୍ୱନ୍ଦ୍ୱ

ଲାଗେ ଅକଳଣା ?

 

-ବାର-

ମୁହିଁ ଦେଖେ ସେଇଠାରେ

ଥାଏ ସ୍ୱାଧୀନତା,

ଯେଉଁଠାରେ

ମଣିଷ ମଣିଷ ମେଳେ

 

ଫୁଟେ ନାଇଁ

ହିଂସା ବର୍ବରତା !

ଯେଉଁଠାରେ ପୃଥିବୀର ସମସ୍ତ ବିବେକ-

ଦେଖୁଥିବ ପୃଥିବୀରେ କେହିନାଇଁ

 

ଜଣେ ହୋଇ ନିଃସ୍ୱ ବା ନିରେଖ ।

ଯେଉଁଠାରେ

ପୃଥିବୀର କୋଟି କୋଟି

ଅନ୍ତର ଭିତରେ

ସତ୍ୟ ଆଉ ନ୍ୟାୟର ତରଙ୍ଗ

 

ନିର୍ଭୀକ ସଂଗୀତ ପରି

ଅବିରଳ ତଳେ !

ସ୍ୱାଧୀନ ମୁଁ ବୋଲି ଯେବେ

ଅନୁଭବେ ଗର୍ବ ଗଉରବ

ତାର କିବା ଅର୍ଥ ଅଛି ?

 

ଚତୁର୍ଦ୍ଦିଗେ ମୋର ଯେବେ

ଫୁଟେ ଆର୍ତ୍ତରାବ !

ନିରନ୍ନ ଭିକ୍ଷୁକ ଯାଏ

ପଥ ପାର୍ଶ୍ୱେ

ଭିକ୍ଷା ଝୁଲି ଧରି

 

ଖାଇ ନାହିଁ

ଚାରିଦିନ ହେଲା

ଅଶ୍ରୁ ତାର

ନେତ୍ରୁ ଉଠେ ଝରି !

 

ତା’ର ଉଷ୍ମ ଅଶ୍ରୁ ଯେବେ

ପରଶି ପାରେନା ମୋର

ସ୍ୱାଧୀନ ଅନ୍ତର

ତା ପାଇଁ ହୁଏନା ଲବେ-

 

ଘାଣ୍ଟିଯେବେ

ମୋର ବକ୍ଷସ୍ଥଳ

କାହିଁ ମୋର ଗଉରବ ?

ମୋର ଜୟ ଡ଼ିଣ୍ଡିମର

 

ପ୍ରତି ଶବ୍ଦ ତଳେ

ଶତ ଶତ ଲଞ୍ଛିତ-

ପତିତ ନିଃସ୍ୱ ହା’ ହା’ ବାଣୀ

ଭାସିଆସେ

ଯେବେ ଅବିରଳେ ।

 

ସ୍ୱାଧୀନ ଜୀବନ ଲଭି

ମୁହିଁ ଯେବେ ପୃଥିବୀର-

ଗୋଟିଏ ପ୍ରାଣାକୁ ଦେଖେ

ଅବମାନନାର ନେତ୍ର ଢାଳି,

 

କେମନ୍ତେ କହିବି ନାଇଁ

ବିଷାକ୍ତ ମୁଁ ଯାଇଅଛି ହୋଇ ?

ମୋ ସ୍ୱାଧୀନ ଜୀବନରେ

ଲାଗିଅଛି ଘନ କୃଷ୍ଣ କାଳି !!

 

ସ୍ୱାଧୀନ ମୁଁ

ମୁକ୍ତ ମୁଁ

ନିଃଶଙ୍କ ମୁଁ

ବିଶ୍ୱର ସମସ୍ତ ଅନ୍ତର

 

କରିବି ମୁଁ ଜୀବନର-

ପ୍ରିୟ ନିରନ୍ତର !

ମୋ ଭିତରେ ଅଛି ଯେଉଁ ଅମୃତ ସଂଞ୍ଚିତ

କାହାରିକୁ କରିବି ନି ଲବେ ମୁଁ ବଞ୍ଚିତ !

 

ପଥେ ମୋର

ଅଛି କିବା ବାଧା ବା ଅର୍ଗଳ

ତଟିନୀର ମୁକ୍ତ ସ୍ରୋତ ପରି

ବହି ଯିବ ଦିଗ ଦିଗନ୍ତର

 

ପାଶୋରିବି ସମସ୍ତ ବିଭେଦ

ସବୁଜ ସମ୍ପଦେ ଧରା କରିବି ସୁନ୍ଦର !

ସକଳର ବିକାଶ ଭିତରେ

ଲୋଡ଼େ ମୁହିଁ ବିକାଶ ମୋହରି

 

ସକଳର ସୁଖ ଦୁଃଖ

ଆନନ୍ଦ କଲ୍ୟାଣ ମେଳେ

ମୋ ଅନ୍ତର ବେଣୁ ତାନ !

ଉଠିବ ସଞ୍ଚରି ।

 

-ତେର-

ନିଃସ୍ୱ ନିପତିତ ହେ ମୋର ଜନତା !

ବଞ୍ଚିନ ବଞ୍ଚିନ ତୁମେ

କରିଅଛ ବଞ୍ଚିବାକୁ ଚେଷ୍ଟା ବହୁବାର,

ପ୍ରାଣ ଭରି ହସିବାକୁ

 

କରିଚ ସାଧନା ତୁମେ

କେତେ ଆଶା ବାନ୍ଧି ଅଛ

ଥର ଥର କରି

ମନ ମତାଣିଆ ଗୀତ

 

ଗାଇବାକୁ ଥରେ ଏଇ ଧରିତ୍ରୀ ଉପରେ,

ଜୀବନର ପ୍ରତି ମୁହୂର୍ତ୍ତକୁ

କରିବାକୁ ମଧୁମୟ

ପରିଶ୍ରମ କରିଚ ବହୁତ,

 

ପାରିନ ପାରିନ ତୁମେ ପାରିନ ପାରିନ !!

ତୁମର ଯେ ସମସ୍ତ ସାଧନା

ଆସିଅଛି ଫେରି

ରହିବାକୁ ବାଧ୍ୟ ହୋଇଅଛ

ସେ କଜଳ କଳା ତୁମ ଗହ୍ୱର ଭିତରେ !

 

ଏ ନୀଳ ଆକାଶ

ତୁମକୁ କରିଚି

ବହୁବାର ଉପହାସ

ଏଇ ବିରାଟ ପୃଥିବୀ

ପରିତ୍ୟାଗ କରିଚି ତୁମରେ !

 

ସମସ୍ତର ଉପହାସ

ଅବହେଳା, ଅବଜ୍ଞା ଓ ଅନାଦର

ତୁମେ ଅଙ୍ଗେ ନିଭେଇଚ,

ଅବିରାମ ଗତି ଧରି

 

ଚାଲିଚି ସମୟ ସୁଅ

କାଟି ସେଇ ସୁଅ

ଚାଲିବାକୁ କେତେ ଚେଷ୍ଟା

କରିଅଛ ତୁମେ

କିନ୍ତୁ ପାରିନ ପାରିନ ତୁମେ

ପାରି ନାହିଁ ଚାଲି !

 

ପକ୍ଷ ତୁମର

ଯାଇଅଛି ଛିଡ଼ି !

ଅଗ୍ନି ତୁମ ଅନ୍ତରର

ପଡ଼ିଅଛି ମଳିନ ନିଷ୍ପ୍ରଭ,

 

ମରିଚି ସାଧନା,

ପ୍ରାଣର ସମସ୍ତ ସ୍ୱପ୍ନ

କେଉଁ ଅତଳ ସମୁଦ୍ର ତଳେ

ହୋଇଚି ବିଲୀନ

 

ଯାଇଚି ଯାଇଚି ସବୁ ଯାଇଚି ତୁମର

ରହିଚ ରହିଚ ତୁମେ କେବଳ ରହିଚ !

ବଞ୍ଚିନ ବଞ୍ଚିନ ତୁମେ

କଦାପି ବଞ୍ଚିନ !!

 

ଶତ ଓ ସହସ୍ରବାର

ତୁମେ ତୁମ ଧମନୀର

ପ୍ରତି ବିନ୍ଦୁ ରକ୍ତ ତଳେ

କରୁଅଛ ଅନୁଭବ

 

ରହିଚ ରହିଚ ତୁମେ

କେବଳ ରହିଚ !

କେଉଁ ଦୂର ପାହାଡ଼ର

ବିରାଟ କଠିନ ଶିଳାଖଣ୍ଡ ପରି

 

ତୁମେ ରହିଅଛ ପଡ଼ି,

କେଉଁ ନିସ୍ତରଙ୍ଗ ସମୁଦ୍ରର

ଜଳରାଶି ପରି

ତୁମେ ଖାଲି ରହିଅଛ

 

ପ୍ରାଣ ଟିକ ଧରି !

କେଉଁ ଗିରି ଉପତ୍ୟକା

ଜନହୀନ ପ୍ରାଣହୀନ

ସାନ୍ଦ୍ର ଅରଣ୍ୟାନୀ ପରି

 

ତୁମେ ରହିଅଛ ଚାହିଁ !

କେଉଁ ମେରୁ ପ୍ରଦେଶର

ବରଫ ପ୍ରାନ୍ତର ପରି

ତୁମେ ପଡ଼ିଅଛ ଶୋଇ !

 

ତୁମେ କି ଚାହୁଁଚ ସତେ

ଏଇପରି ରହିବାକୁ

ଯୁଗ ଯୁଗ କାଳ କାଳ ଧରି ?

ଚାହୁନ ଚାହୁନ ତୁମେ

 

କଦାପି ଚାହୁନ

ପ୍ରାଣ ଥାଇ

ଯିବାପାଇଁ ମରି !

ତୁମ ଜୀବନର

 

ପ୍ରାଣବନ୍ତ ଜୁଆରକୁ

ପଥର ମଡ଼ାଇ ବନ୍ଦ କରା ହୋଇଅଛି

ତୁମର ସ୍ୱପ୍ନକୁ

ଟିକି ଟିକି କରି କାଟି ଦିଆ ହୋଇଅଛି !

 

ତୁମ ପାଦର ଅଗ୍ରଗତିକୁ

ବନ୍ଦ କରା ହୋଇଅଛି-

ଗାର କାଟି ବାର ବାର କରି,

ତୁମକୁ କେବଳ ଖାଲି

 

ରଖା ଯାଇଅଛି

ଗୃହପାଳିତ ଏକ ଜନ୍ତୁ ପରି !

ତୁମେ ରହିଚ ରହିଚ

କେବଳ ରହିଚ

ବଞ୍ଚିନ ବଞ୍ଚିନ ତୁମେ

କଦାପି ବଞ୍ଚିନ !!!

 

ତରଙ୍ଗ ତୁମର ନାଇଁ !

ଅଛି ଅଛି ବହୁତ ରହିଚି

ଦୂର ଦିଗ୍‌ବଳୟର

କେଉଁ ଅଜ୍ଞାତ କୋଣରୁ

 

ତରଙ୍ଗ ଆସୁଚି କେତେ

ଭାଙ୍ଗି ପଡ଼ୁଅଛି ସବୁ,

ଶତ ଓ ସହସ୍ର ବାର

କେତେ ଯେ ତରଙ୍ଗ ଆସି

 

କେଉଁଆଡ଼େ ଯାଉଚି ଉଭାଇ

ତାର ସୀମା କାହିଁ ?

ଦିଗ୍‌ବଳୟ ବ୍ୟାପୀ

ବିପୁଳ ଅନନ୍ତ ବେଳା !

 

ନୀଳ ପାରାବାର

ତା’ ଉପରେ !

ସୀମାହୀନ ତରଙ୍ଗର

ନିତ୍ୟ ଓ ନୂତନ ଲୀଳା-

 

ଏ ସବୁ କି ସୁନ୍ଦର !

ଓ କେଡ଼େ କମନୀୟ !!

ଏ ସବୁ ସମ୍ପଦ କାହିଁ ??

ସ୍ଥିତିରେ ଜୀବନ ନାଇଁ !!

 

ବ୍ୟାପ୍ତିରେ ବିକାଶ !!

ବ୍ୟାପ୍ତିରେ ଜୀବନ !!

ବ୍ୟାପ୍ତିରେ ପରିପୂର୍ଣ୍ଣତା !!

ତୁମର ବ୍ୟାପ୍ତି ନାଇଁ

 

ବିକାଶ ନାଇଁ ।

ତରଙ୍ଗର ନିତ୍ୟ ନୂତନ ଲୀଳା ନାଇଁ !

ତୁମେ ରହିଚ ରହିଚ ଖାଲି

ବଂଚିନ ବଂଚିନ ତୁମେ

କଦାପି ବଞ୍ଚିନ !

 

-ଚଉଦ-

ମୋର ଏଇ ଧରିତ୍ରୀର

ହେ ବିରାଟ ହେ ନିଃସ୍ୱ ଜନତା !

ତୁମରେ ମୁଁ ରହିଅଛି ଚାହିଁ

ସାଗର ଉଚ୍ଛ୍ୱାସ ପରି

 

ତୁମରି ଭିତରୁ

ପ୍ରାଣର ଅମୃତ ଶୋହା

ଦେଖିବାର ପାଇଁ !

 

କି ବିରାଟ ଶକତିର

ସନାତନ ଉତ୍ସ ତୁମେ

ଦେଶେ ଦେଶେ ପୁରେ ପୁରେ

ବହି ଯିବ କଳତାନ କରି

 

ଯାହା ରୁକ୍ଷ ଯାହା ପ୍ରାଣହୀନ

ସବୁଜ ସମ୍ପଦ ତହିଁ

ଫୁଟାଇବ କ୍ଷଣେ !

ତୁମେ ସବୁ ପାରିବ ପାରିବ କରି

 

ତୁମେ ନୁହ ଅପଦାର୍ଥ ଜଡ଼

ରୁଦ୍ଧ କେଉଁ କାରାର ଗହ୍ୱରେ

ତୁମରେ ରଖିଚି କିଏ

ବନ୍ଦି କରି ଯୁଗ ଯୁଗାନ୍ତର

 

ପଂଗୁ କରି କ୍ଳୀବ କରି

ତୁମରି ଏ ମହା ପ୍ରତିଭାରେ

କେ ନିର୍ମମ ସଏତାନ୍

ପୃଥିବୀରେ କରିଅଛି

 

କେଡ଼େ ନିଃସ୍ୱତର ?

ହେ ଜନତା ଅକ୍ଷୟ ସଂପଦ

ଏ ମାଟିର

କେସନେ ନିଷ୍କ୍ରିୟ ହୋଇ

ରହିଅଛି ଯୁଗ ଯୁଗାନ୍ତର !

 

ଜାତିର ଜୀବନୀ ଶକ୍ତି

ହେ ଜନତା !

ହେ ଆତ୍ମୀୟ

ଭରି ଦିଅ

 

କଲ୍ୟାଣ ଏ ଭୁବନେ ଭୁବନେ

ଉଠ ତୁମେ ଉଠ ଭାଙ୍ଗି

ସେ ଅଦୃଶ୍ୟ କାରା-

ପ୍ରତି ଶିଳାଖଣ୍ଡ

 

ଅନ୍ତରର ଅସୀମ ବିକ୍ରମେ

ତୁମଠି ଯେ ଅଗ୍ନି ଅଛି

ନିଭିବାର ନୁହେଁ ତାହା

ତାକୁ କିଏ

 

ମାଡ଼ି କୁଦି ଚାଲିଯିବ କହ ?

ତୁମେ ଆଜି

ଶତ ଓ ସହସ୍ର ଗୁଣ ଉଠ ଜଳି

ତୁମେ ଆଜି ହୁଅ ଦୁର୍ବିସହ !