ତଳେ ବସୁମାତା

ତଳେ ବସୁମାତା

କୃପାସାଗର ସାହୁ

 

ପ୍ରଚ୍ଛଦ- ପ୍ରଫୁଲ୍ଲ ମହାରଣା

 

ସୂଚୀପତ୍ର

ମହାନିର୍ବାଣ

ଅନ୍ଧାର

ବାଘ ଭୟ

ସମସ୍ତେ ବାରଣ କଲେ

ପତ୍ନୀଙ୍କୁ

ଗେଟ୍‌ ମ୍ୟାନ୍‌

ପୁତ୍ର ଜନ୍ମ

ମଞ୍ଚାସୀନ

ପର୍ବତାରୋହଣ

ଦେଈ

ଅଜା ନାତି

ମୃଗୟା

ଭୁବନେଶ୍ୱରରୁ ଭବାନୀପାଟଣା

ସମୟଟା ଯଦି ସ୍ତବ୍‌ଧ ହୋଇଯାନ୍ତା

ତମେ ଯଦି କାନ୍ଦି ପାରନ୍ତ

ନଈ ବଢ଼ି

ଦୁଇଟି ଅନ୍ତରଙ୍ଗ ଆଳାପ

ସେମାନେ ମଣିଷ

ଶେଷ ଦୃଶ୍ୟ

ଶୁଣ ସାଧବାଣୀ

ନାନା ବାୟା ଗୀତ

ଠେକୁଆ

ଡେରାଘର

ମୋ ଜୀବନ ହେଉ ପରିପୂର୍ଣ୍ଣ

ତଳେ ବସୁମାତା

 

 

ସରଳ କବିତାର ଅର୍ଘ୍ୟ

କୋଡ଼ିଏ ବର୍ଷ ତଳେ ମୋର କବିତା ରଚନାର ଚାଟଶାଳୀରେ ଖଡ଼ିଛୁଆଁ ହୁଏ । ସେହିଦିନ ଠାରୁ ମୋର କବିତା ଲେଖାରେ ଉତ୍ତରୋତ୍ତର ଉନ୍ନତି ହେଉ ନ ହେଉ, କବିତାର ଆତ୍ମାରେ ବା ଆଙ୍ଗିକରେ ସ୍ୱଚ୍ଛତା ଓ ସରଳତାକୁ ବଜାୟ ରଖିଛି । ସେତେବେଳର କବିମାନେ ଭାଷାର କୁହୁକରେ, ବୌଦ୍ଧିକତାର ଇନ୍ଦ୍ରଜାଲରେ, ଦୁର୍ବୋଧ୍ୟତାର ଚକ୍ରବ୍ୟୁହ ରଚନାରେ ପରସ୍ପର ସହ ତୁମୁଳ ପ୍ରତିଦ୍ୱନ୍ଦିତା ଆରମ୍ଭ କରି ଦେଇଥିଲେ । ଫଳ ସ୍ଵରୂପ, କବିତାର ଅନ୍ତରଙ୍ଗ ପାଠକମାନେ କବିତାଠୁ ଦୂରେଇ ଗଲେ ଯେ ଗଲେ । ଯେତେ ସଭା ସମିତି, କବିତା ଆସର, ଆଲୋଚନା ଚକ୍ର କରି ତାଙ୍କୁ ଫୁସୁଲା ଫୁସୁଲି କରି ଫେରାଇ ଆଣିବା କଷ୍ଟକର ବ୍ୟାପାର ହୋଇ ପଡ଼ିଲା ।

 

ସୁଖର କଥା ଏବେ ଚକଟି ପୁଣି ଘୂରି ଯାଇଛି । ପାଠକ ମାନଙ୍କର ଛତ୍ରଛାୟା ନହେଲେ କବିତା ବଞ୍ଚିବା କଷ୍ଟ– ଏ ଧାରଣା ବୋଧେ ଢେର୍ ବିଳମ୍ବରେ ଉଦିତ ହେଲା । ସେଥିପାଇଁ ସାମ୍ପ୍ରତିକ କବିତାର ମୁଖ୍ୟ ବିଭବ ହେଲା ଏହାର ସରଳତା । ଦିନକୁ ଦିନ ଅଧିକରୁ ଅଧିକତର କବି ପାଠକମାନଙ୍କୁ ଆପଣାର କରିବା ପାଇଁ ଚେଷ୍ଟା କରୁଛନ୍ତି ।

 

ଆଧୁନିକ କବିତା ସମ୍ପର୍କରେ ସେତେବେଳର ଯୁକ୍ତି ଥିଲା ଯେ, ଆଧୁନିକ ଜୀବନ ଜଟିଳରୁ ଜଟିଳତର ହେଉଥିବା ଯୋଗୁଁ କବିତା ମଧ୍ୟ କ୍ଳିଷ୍ଟ ହେବା ସ୍ୱାଭାବିକ । କିନ୍ତୁ ମୋ ମତରେ, ଏଭଳି ଧାରଣା ଠିକ୍ ନୁହେଁ । ଗୋଟିଏ ପଙ୍କିଳ କର୍ଦ୍ଦମାକ୍ତ ପୁଷ୍କରିଣୀ ମଧ୍ୟରେ କଇଁଫୁଲ ଭଳି କବିତାଟିଏ ଫୁଟି ପାରିବ ନାହିଁ କାହିଁକି ? ବ୍ୟସ୍ତ ବିବ୍ରତ ଏ ଯନ୍ତ୍ର ଯୁଗର ନିଃସଙ୍ଗ ମଣିଷଟିର ମୁହଁରେ ଦୁଇଧାଡ଼ି କବିତାର ହସ ଫୁଟିଉଠି ତାକୁ ଆମୋଦିତ କରି ପାରିବ ନାହିଁ କାହିଁକି ?

 

ସେମାନଙ୍କର ଅନ୍ତର୍ନିହିତ ସରଳତା, ସ୍ଵଚ୍ଛତା ଓ ନିଷ୍କପଟତା ଯୋଗୁଁ ଅନେକ କାଳଜୟୀ କବିତା ଏ ଯାଏ ବଞ୍ଚିଛନ୍ତି । ବଞ୍ଚିଛନ୍ତି ଭୀମ ଭୋଇ, ସାରଳାଦାସ । ଅଥଚ ଓଡ଼ିଆ ସାହିତ୍ୟ ଜଗତର କେତେ କେତେ ଭୀମ ଅର୍ଜୁନ ତାଙ୍କର କ୍ଳିଷ୍ଟତା ଓ କୃତ୍ରିମ ବୌଦ୍ଧିକତା ଯୋଗୁଁ ମହାକାଳ ଗର୍ଭରେ ଲୀନ ହୋଇଯିବେ ।

 

ସରଳତା କହିଲେ ଆମେ କ’ଣ ବୁଝୁ ? ପ୍ରଥମତଃ, ସରଳତା ଅର୍ଥ ସହଜ ବୋଧଗମ୍ୟତା । କବି କେବଳ ନିଜର ଚିତ୍ତବିନୋଦନ ପାଇଁ ଲେଖେ ନାହିଁ । ଅନ୍ୟକୁ ନାନ୍ଦନିକ ସୁଖ ଦେବା ତା’ର ଧର୍ମ । କିନ୍ତୁ ବୁଝି ହେଉ ନଥିବା ଦନ୍ଥଡ଼ା କବିତାକୁ ଦେଖୁ ଦେଖୁ ପାଠକେ ଭୟ ପାଆନ୍ତି । ଆନନ୍ଦ ପାଇବା ତ ଦୂରର କଥା । ଗୋଟିଏ ବିଲ୍‌କୁଲ୍ ବୁଝି ହୋଇ ନଥିବା କବିତା ପଢ଼ୁ ପଢ଼ୁ ଦୁଇଟି ବୋଧଗମ୍ୟ ଧାଡ଼ି ମିଳିଗଲେ, ମରୁଭୂମିରେ ମରୂଦ୍ୟାନ ଖୋଜି ପାଇଲା ଭଳି ଲାଗେ ନା ?

 

କବିତା ଏକ ବଣର ଝରଣା ପରି । ଏକ ଅନିର୍ବଚନୀୟ ମୃଦୁ ଛନ୍ଦରେ ତଳକୁ ତଳକୁ ଗଡ଼ି ଚାଲିବା ଯେପରି ଝରଣାର ଧର୍ମ, ସେହିଭଳି ଗୀତିମୟତା କବିତାର ଧର୍ମ । ଆଧୁନିକତା ନାଁରେ କବିତାର ଏଭଳି ସାବଲୀଳତା ଓ ଲାସ୍ୟମୟତାକୁ ବଳାତ୍କାର କରି ବନ୍ଦ କରି ଦେବା କାହିଁକି ? ସରଳ କବିତା ପାଠକର ମନକୁ ଛୁଇଁବା ସଙ୍ଗେ ସଙ୍ଗେ ଚେତନାକୁ ମଧ୍ୟ ସଞ୍ଚରି ଯାଏ ଓ ଅନେକ ଦିନ ସେଇଠି ବସାବାନ୍ଧି ରହେ ।

 

ସରଳତା ଓ ସ୍ୱଳ୍ପକାୟତା ଦୁହେଁ ଅଙ୍ଗାଙ୍ଗୀଭାବେ ଜଡ଼ିତ । କବିତାର ଏକ ମୁଖ୍ୟ ବିଭବ ଯଦି ସୂଚନା ଧର୍ମୀହୁଏ, ତା’ହେଲେ କବିର ଅନୁଭୂତିକୁ ସଳ୍ପରେ ପ୍ରକାଶ କରି ହେବ ନାହିଁ କାହିଁକି ? ଗୁଡ଼ାଏ ଆବୁରୁ ଜାବୁରୁ ଚିତ୍ରକଳ୍ପ ଲଦି ଦେଇ କବିତାକୁ ଭାରାକ୍ରାନ୍ତ କରିବାର ମାନେ କ’ଣ ? ଏବେକାର କବିତା ଧୀରେ ଧୀରେ ଚିତ୍ରକଳ୍ପ ବିରହିତ ହେବାକୁ ଯାଉଛି ।

 

କବିତାରେ, ଚିନ୍ତାର ଏକନିଷ୍ଠତା ମଧ୍ୟ ତାକୁ ସରଳ କରେ । ଏଣୁ ତେଣୁ ପରସ୍ପର ସମ୍ପର୍କିତ ହୋଉ ନଥିବା ଚିନ୍ତାଧାରା ବାଚାଳତା ସଙ୍ଗେ ସମାନ– ଯାହାକି ପାଠକକୁ ଏକ ସଙ୍କୀଣ୍ଣୋ ଭୁଲ୍‌ଭୁଲେୟା ଭିତରେ ଛାଡ଼ି ଦେଇ ଦହଗଞ୍ଜ କରେ ।

 

ସର୍ବଶେଷରେ ସରଳ କବିତାରେ କବିର ମୁଖ୍ୟ ବକ୍ତବ୍ୟଟି କ’ଣ ତାହା ଧରିବା ପାଇଁ ବେଶି ମନନଶୀଳତା ବା ଟୀକା ଟିପ୍ପଣୀର ଆବଶ୍ୟକତା ହୁଏ ନାହିଁ ।

 

ସରଳ କବିତା ନାଁରେ କିଛି ଗୋଟିଏ ଆନ୍ଦୋଳନ ସୃଷ୍ଟି କରିବା ମୋର ଉଦ୍ଦେଶ୍ୟ ନୁହେଁ ବା ସମାଲୋଚକମାନଙ୍କର ନିଷିଦ୍ଧ ଇଲାକାକୁ ଅନୁପ୍ରବେଶ କରିବା ମଧ୍ୟ ମୋର ଅଭିପ୍ରାୟ ନୁହେଁ । ତେବେ ଏତିକି କହି ରଖେ ଯେ ଓଡ଼ିଆ କବିତାର ଭବିଷ୍ୟତ ତା’ର କୃତ୍ରିମ ବୌଦ୍ଧିକତା, ପାଣ୍ଡିତ୍ୟ ବା ପରୀକ୍ଷାନିରୀକ୍ଷା ଉପରେ ନୁହେଁ, ବରଂ ନିର୍ଭରକରେ ତା’ର ସରଳତାରେ, ସ୍ଵଚ୍ଛତାରେ ଓ ସାବଲୀଳତାରେ । ଏହି ପରିପ୍ରେକ୍ଷୀରେ ସୁଧୀ ପାଠକମାନଙ୍କ ହାତରେ ମୋର ଏହି ସରଳ କବିତାର ଅର୍ଘ୍ୟଟିକୁ ବାଢ଼ିଦେଉଛି ।

 

ଏହି କବିତା-ସଙ୍କଳନଟିକୁ ଲୋକ ଲୋଚନକୁ ଆଣିବା ପାଇଁ କବିବନ୍ଧୁ ଶ୍ରୀ ଭଗବାନ ଜୟସିଂହଙ୍କ ଅବଦାନ ଅସୀମ । ଏହି ସଙ୍କଳନର ସମସ୍ତ କବିତା ପଢ଼ି, ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସେ ତାଙ୍କର ମୂଲ୍ୟବାନ ଉପଦେଶ ଦେବା ସଙ୍ଗେ ସଙ୍ଗେ ଖୁବ କମ୍ ସମୟ ମଧ୍ୟରେ ବହିଟିକୁ ପ୍ରକାଶିତ କରିବାରେ ମୋତେ ଉତ୍ସାହ ଓ ପ୍ରେରଣା ଦେଇଛନ୍ତି । ଏଥିରୁ କିଛି କବିତା ଆଗରୁ ସମାରୋହ, ଅମୃତାୟନ, ସାହାରା, ଆଲେଖ୍ୟ ପ୍ରଭୃତି ପତ୍ରିକାରେ ପ୍ରକାଶିତ ହୋଇଛି । କେତୋଟି କବିତା ଆକାଶ ବାଣୀ କଟକ ଓ ସମ୍ବଲପୁର କେନ୍ଦ୍ରରୁ ପ୍ରଚାରିତ ହୋଇଛି । ଉପଯୁକ୍ତ ପତ୍ରିକାର ସମ୍ପାଦକ ଓ ଅନୁଷ୍ଠାନର କର୍ତ୍ତୃପକ୍ଷଙ୍କ ଠାରେ ମୁଁ ଋଣୀ ।

କୃପାସାଗର ସାହୁ

 

 

 

 

 

 

 

 

ମହାନିର୍ବାଣ

ଶବ୍ଦର ଅଲ୍ୟଳି ଜେମାଙ୍କୁ

ଭେଟିଲି ମୁଁ ବହୁବର୍ଷ ବ୍ୟବଧାନ ପରେ

ସେମାନେ ସମସ୍ତେ ବନ୍ଦୀଥିଲେ

ଅଗନାଗ୍ନି ବନସ୍ତ ଭିତରେ

ତାଙ୍କ ସର୍ବାଙ୍ଗରୁ ଖୋଲିଦେଲି

ବେଡ଼ି ଓ ଶିକୁଳି

ତାଙ୍କ ନିଷ୍ପ୍ରଭ ଇଚ୍ଛାରେ ଭରିଦେଲି

ଆଲୋକର ଦୀପ୍ତି

ସେମାନେ ସାଷ୍ଟାମ ହେଲେ ।

 

କିଛି ବାଟ ହାତ ଧରି ଚାଲିଲେ ପଛରେ

ଚପଳ ବିହଙ୍ଗୀ ପରି ଉଡ଼ିଲେ ଆକାଶେ

କିଶୋରୀ ଝରଣା ପରି

ଭୂଇଁରେ ଛଲାଙ୍ଗ୍‌ ଦେଲେ

ତାଙ୍କ ସ୍ନେହରେ ବିମୁଗ୍ଧ କଲେ ।

 

ସେମାନେ ମୋତେ

ଛଳାଇଲେ ଖେଳାଇଲେ

ହସାଇଲେ କନ୍ଦାଇଲେ

ଉଠ୍‌ବସ୍‌ କରାଇଲେ

ଗୋଡ଼ାଇଲି ମନ୍ତ୍ର-ମୁଗ୍ଧ ସର୍ପପରି

ଯୁଆଡ଼େ ବାଜିଲା ତାଙ୍କ ନାଗେଶ୍ୱରୀ ।

 

ସେମାନେ କହିଲେ, ଚାଲ ହାଟକୁ

ହାଟକୁ ଗଲି

ସେମାନେ କହିଲେ ଚାଲ ଘାଟକୁ

ଘାଟକୁ ଗଲି

ସେମାନେ କହିଲେ ଚାଲ ଅମଡ଼ା ବାଟକୁ

ଅମଡ଼ା ବାଟରେ ଗଲି

ସମ୍ପର୍କର ସାମିଆନା ସବୁଠି ଟାଣିଲି ।

 

ତା’ପରେ ସେମାନେ ଉତ୍ତାଳ ହେଲେ

ହାତରେ ଧରିଲେ ତଲଓ୍ୱାର

ଭାଙ୍ଗି ଦେଲେ ପରାକ୍ରମୀ ରାଜାଙ୍କ ନଅର

ଜାଳି ଦେଲେ ଅଖଣ୍ଡ ମଶାଲ

ପୋଡ଼ି ଦେଲେ ଗର୍ବର ଖାଣ୍ଡବ ବନ

ମାଟିସହ ଯୋଡ଼ି ଦେଲେ

ଆକାଶର ସଜଳ ସମ୍ପର୍କ ।

 

ତା’ପରେ ଉଦାତ୍ତ କଣ୍ଠରେ କହିଲେ :

ଉଠ କବି !

ଅନେକ ହା ହୁତାଶ ଉତ୍ତାରେ

ଏଣିକି ତୁ ପାଇବୁରେ

ତୋର ଅଭିଳଷିତ ମହାନିର୍ବାଣ ।

 

ଅନ୍ଧାର

ଅନ୍ଧାର ହେଲେ ଆସନ୍ତି

ସରୀସୃପ ଦଳ

ଅନ୍ଧାର ହେଲେ ଝପଟନ୍ତି

ନଳ ବଣ କଡ଼େ କଡ଼େ

ସମ୍ୱର ଖୁରିଙ୍ଗ ।

 

ଅନ୍ଧାର ଘୋଟିଲେ ଡିଅଁନ୍ତି

କଲରା ପତ୍ରିଆ, କଟାଶ

ଭୂତ ପ୍ରେତ ଯେତେ ନିଶାଚର

ଚେକ୍‌ପୋଷ୍ଟ ତାରବାଡ଼ ଡେଇଁ

ଆସନ୍ତି ଚୋର ଓ ତସ୍କର ।

 

ଅନ୍ଧାର ହିଁ ଏମାନଙ୍କ ସଖା ସହଚର

ବନ୍ଧୁ ପରିଜନ

ଅନ୍ଧାରକୁ ଚାହିଁ ଚାହିଁ

ଏମାନଙ୍କ ବିତିଯାଏ ଦିନ

ଚାତୁର୍ମାସ୍ୟା ସମାପ୍ତିକୁ

ଯେମିତି ଚାହିଁଥାନ୍ତି ବୌଦ୍ଧ ଭିକ୍ଷୁଗଣ ।

 

ବିଶ୍ୱାସ ଓ ଅବିଶ୍ୱାସ

ସମ୍ପର୍କ ଓ ସମ୍ପର୍କହୀନତା

ଅନ୍ଧାରରେ ପାଇଥାନ୍ତି ଜୀବନ୍ୟାସ

ଅନ୍ଧାରରେ ସଭିଙ୍କ ଅସଲରୂପ

ହୁଏ ପ୍ରକଟିତ ।

 

ଅନ୍ଧାରର ଅଭିରାମ ରୂପ ଦିଶେ

ଯେତେବେଳେ ସାଇଁ ସାଇଁ ଗର୍ଜୁଥାଏ

ସର୍ବଂସହା ନିଶା

ପବନ ବହୁଥାଏ ମନ୍ଦମନ୍ଦ

ଏବଂ ଏକ ସୁନିଶ୍ଚିତ ପ୍ରତ୍ୟୟରେ

ହଜିଯାଏ ପୃଥିବୀର ଚେତା ।

 

ବାଘ ଭୟ

ଶତଦ୍ରୂର କୂଳେ କୂଳେ

ଏକ ନାଚାର ବଣିକ ପରି

ସନ୍ତର୍ପଣେ ଚାଲିଅଛି ଟ୍ରେନ୍‌

ହରା ଭରା ସୋରିଷ କ୍ଷେତର

ଚୌହଦୀକୁ ଡେଇଁ ଡେଇଁ

କିଏ ଜାଣେ କେତେବେଳେ

ବାଘ ଆସି ବାଟ ଓଗାଳିବ

ଶତଦ୍ରୂର ନେଳିପାଣି ରକ୍ତରେ ପୂରିବ ।

 

ଏବେ ସବୁଆଡ଼େ ବାଘ ଭୟ

ବିପାଶାର ଲହଡ଼ିରେ

ହଂସରାଳି କରେ ନାହିଁ କେଳି

ବିତସ୍ତା ଜଳବେଣୀରୁ ଉଠେ

ଧୂଆଁର କୁଣ୍ଡଳୀ

ଚାନ୍ଦିନୀ ରାତିରେ

ଆଖୁ ବିଲୁ ଉଡ଼ି ଆସେ

ତୁହା ତୁହା ଗୁଳି ।

ଭାବୁଥିଲି

ୟୁକାଲିପଟସ ବଣ ଉହାଡ଼ରୁ

କିଏ ଯଦି ଫାର୍ସା ଧରି

ଆଗେ ଠିଆ ହେବ

କେଉଁ ଧାମ କେଉଁ ଧର୍ମ

କେଉଁ ଠାକୁରଙ୍କ ନାଁ ନେଲେ

ଗ୍ରହ କଟିଯିବ ।

 

କହିବି କି :

ତମ ଗହମରେ

ବେଶି କେଣ୍ଡା କମ ଶୂଁକ

ସୋରିଷ କ୍ଷେତରେ ବେଶି ଫୁଲ

କମ ପୋକ

ଇଏ ଆମ ପାର ଏବଂ ତା’ ବରର

ମେହନତ ଫଳ

ତା’ର ଏବେ ଅସଜ ଶରୀର

ତାକୁ ଥରେ ଦେଖିବାକୁ

ଆମର ଏ ଲମ୍ବା ସଫର ।

 

କହିବି କି :

ହେ ବାଘମାନେ !

ସାଙ୍ଗରେ ମୋ ଶିଶୁ ପୁତ୍ର କନ୍ୟା

ସେମାନେ ଦେଖିନାହାନ୍ତି ଏ ଯାଏ ଦୁନିଆଁ

ଦେଖୁନ ତମ ନିଃଶ୍ୱାସରେ ଥରିଯାଏ

ତାଙ୍କ କଅଁଳ କଳିଜା

ଦିଅ ତାଙ୍କୁ ଛାଡ଼ି

ବରଂ ମୋତେ ଦିଅ ତୁମ

ତୀକ୍ଷ୍‌ଣତମ ନଖରେ ବିଦାରି ।

 

ସମସ୍ତେ ବାରଣ କଲେ

ଆକାଶ ଡାକିଲା ମୋତେ ଥରେ ନିଭୃତରେ

ମୋ ଡେଣାରେ ପର ଲାଗିଲାଣି ବୋଲି

ଫିସ୍‌ ଫିସ୍‌ କରି କହିଲା କାନରେ

ଆମର ଅସ୍ପଷ୍ଟ ଆଳାପ ଶୁଣି

ମା’ ତୁ ଉଠିପଡ଼ି ପଣତରେ ଧରିଲୁ ଘୋଡ଼ାଇ

କାଳେ ମୁଁ ଖିଅକଟା ଗୁଡ଼ି ପରି

ତୋ ମମତା-ନଟେଇରୁ ଛିଣ୍ଡି ଦୂରେ ଚାଲିଯିବି

ଅସୁମାରି ତାରା ଗହଣରେ ହଜିଯିବି ।

 

ସମୁଦ୍ର ଡାକିଲା ଦିନେ କୁନି କୁନି ଢେଉ- ହାତଠାରି

ଗୁଡ଼କଙ୍କ ଖେଳିବାକୁ ନୋଳିଆ ପିଲାଟି ପରି

କଅଁଳ ଦୁଇ ପାଦରେ ବାଲି ବିଞ୍ଚି ବିଞ୍ଚି

ମୁଁ ଯେବେ ଆଗକୁ ଧାଇଁଲି

ଆଖିରେ ବୀଭତ୍ସ ରସ, ଭୟ

ଓ କ୍ରୋଧର ବର୍ଣ୍ଣାଳୀ ନେଇ

ତମେ ବାପା ଧରିଲ ଜାବୁଡ଼ି

ଭାବୁଥିଲ କାଳେ ମୋର ଅବୟବ ସାରା

ଗୁଡ଼କଙ୍କ କଣ୍ଟା, ଶଙ୍ଖ ଅବା ଶାମୁକାରେ

ହୋଇଯିବ ରକ୍ତାକ୍ତ ଓ ଖଣ୍ଡିଆ ଖାବରା ।

 

ଅରଣ୍ୟ ଡାକିଲା ଏବେ ଥରେ ପ୍ରଭାତରେ

ବଞ୍ଚିବାର ସୋମରସ ପରଷିବ ବୋଲି

ଶାଳ ଆଉ ପଲାଶ ପତ୍ରରେ

ଏ ପ୍ରସ୍ତାବ ଯେବେ ତମ କାନରେ ପଡ଼ିଲା

ଅହେତୁକ ଆଶଙ୍କା ଓ ଭୟର ଅଳତା

ତମ ଶଙ୍ଖ ଶୁଭ୍ର ଦେହ ସାରା ଉତୁରି ପଡ଼ିଲା

ପବନର ଗୀତ ଏବଂ ନକ୍ଷତ୍ରଙ୍କ ନିଶ୍ରୁପ ଆଳାପ ଶୁଣି

ଅଧା ଚେଇଁ ଅଧା ଶୋଇ ଏବେ ତମ ରାତି ଯାଏ ପାହି

ବୋଧିଦ୍ରୂମ ସନ୍ଧାନରେ ମୁଁ କାଳେ

ଅକସ୍ମାତ୍‌ ଚାଲିଯିବି ଘୋଡ଼ା ଝପଟାଇ ।

 

ପତ୍ନୀଙ୍କୁ

ଖାସ୍‌, ତମକୁ ଭେଟିବା ପାଇଁ

ଟ୍ରେନ୍‌ରୁ ବସ୍‌, ବସ୍‌ରୁ ରିକ୍‌ସା

ଏକା-ନହସରେ

ନିଶାର୍ଦ୍ଧରେ

କେମିତି ମୁଁ ଘରେ ପହଞ୍ଚିଲି

ସଫର୍‌ ଟା କେତେ ଲମ୍ୱା

ମୁସାଫିର୍‌ଖାନାରେ କେତେ କୋଳାହଳ

ଆକାଶରେ କେଉଁ ଋତୁ

କେଉଁ ପକ୍ଷୀଙ୍କ ଚହଳ

ଜାଣି ନ ପାରିଲି ।

 

ଛୁଟି ସରିବା ଆଗରୁ

ଆମର ଆରମ୍ଭ ହୁଏ

ପୁନର୍ବାର ଛୁଟି ନେବାର ଫିକର

ଜେଜେମା ମରିଗଲା ବୋଲି

ଯିବ ଟେଲିଗ୍ରାମ

ମାର୍ଚ୍ଚ ମାସ କାମ ଯୋଗୁଁ

କାଳେ ନ ଛାଡ଼ିବ ମୋ ଉପର ହାକିମ ।

 

ଓଃ ସେ ବୟସ !

ତମ ମାଳ ମାଳ କାଚ ଓ ପାଉଁଞ୍ଜି ଦେଖି

ମୋତେ ଲାଗୁଥିଲା ଯେପରି କି ବେଡ଼ି

ଓଢ଼ଣଟା ଲାଗୁଥିଲା

କେଡ଼େ ଲମ୍ୱ, ବର୍ଲିନ୍‌ ପାଚେରୀ

ତମେ ଅବଳା ଓ ଅସହାୟା

କ୍ରୀତ ଦାସୀ ବୋଲି ନିଜକୁ ଭାବ ନ ଭାବ

ତମକୁ ମୁଁ କଉଶଳେ

ଛାତ ଉପରକୁ ଡାକି ନେଉଥିଲା ବେଳେ

ନିଜକୁ ମୁଁ ମଣୁଥିଲି

ଦୁଃସାହସୀ ରାଜପୁତ୍ର ପରି ।

 

ଓଃ, ସେ ବୟସ !

ଛୁଟି ନ ମିଳିଥିଲେ ବୋଧେ

ମୁଁ ସାଜିଥାନ୍ତି ଖୁନୀ

ଦୃଶ୍ୟରୁ ଅନ୍ତର ହେଲେ

ଘୋଟୁଥିଲା ଭୟାନକ ବ୍ୟାଧି

ଓ ସାନ୍ନିଧ୍ୟଟା ବୋଧ ହେଉଥିଲା ମହୌଷଧି ।

 

ଏକାଧିକ ମୁରବୀଙ୍କ

ଆଖିର ପଇଁତରା ଯୋଗୁଁ

କାଞ୍ଜିଆହୁଦା ପରିକା

ଲାଗୁଥିଲା ଘର ଅଭ୍ୟନ୍ତର

ବାହାର ଟା ଲାଗୁଥିଲା

ତୃଣ ଭରା ଶ୍ୟାମଳ ପ୍ରାନ୍ତର ।

 

ଏ ବଶମ୍ବଦତାର କାରଣ ଖାଲି ବୟସ ?

ଜହ୍ନ ଆଉ ମେଘ ସଙ୍ଗେ ଲୁଚକାଳି ଖେଳି

ଅସୀମ ନୀଳ ରାଜ୍ୟରେ

ଉଡ଼ୁଥିଲ ହଳଦୀ ବସନ୍ତ ପରି

ଦିନେ ଅଚାନକ ଗେଣ୍ଡାଳିଆ ପର ଝାଡ଼ିଦେଲା ପରି

ଅକ୍ଳେଶରେ ଝାଡ଼ିଦେଲ ନିଜ ନାଁ ଗାଁ

ନିଜର ଚଞ୍ଚୁରେ ହାଣିଲ

ତୁମ ମୁଲାୟାମ୍‌ ଡେଣା ।

 

ତମେ ଯଦି ଯୋଜନ ଯୋଜନ ବ୍ୟାପି

ନିରୁତା ସ୍ୱାତନ୍ତ୍ର୍ୟ ଭୁଲି

ସମର୍ପଣ କରିପାର ସଞ୍ଚିଥିବା ସ୍ୱପ୍ନର ଫସଲ

ମୁଁ କାହିଁକି ଛାଡ଼ି ନ ଆସିବି

ନିରାପଦ ସୌଖୀନ୍‌ ସହର

ଏବଂ ଅଜାଡ଼ି ନ ଦେବି

ମୋର ସ୍ୱପ୍ନ ଓ ସାଧନାର ମଧୁର ଗଜଲ ।

 

ଆମେ କେତେ ଜହ୍ନ ରାତି

ଦଶ ଦିଗ ସାକ୍ଷୀ ରଖି

ନେଇଛେ ଶପଥ

ସାଥୀ ହୋଇ ପର୍ବତ ଚଢ଼ିବା

ସମୁଦ୍ର ମନ୍ଥିବା

ବାହାରୁ ସେଥିରୁ ବିଷ

ଅଥବା ଅମୃତ

ହେଉ ପଛେ ଘୋର ପାପ

ଅଥବା ସୁକୃତ

ଗୋଟିଏ ଥାଳିରେ ବାଢ଼ି

ଅନିଶ୍ଚିତ ଭବିଷ୍ୟ ଭୁଞ୍ଜିବା ।

 

ଆମେ ନୁହେଁ ରାମଚନ୍ଦ୍ର

ଅବା ହରିଶ୍ଚନ୍ଦ୍ର

ସ୍ୱର୍ଗରେ ଏକତ୍ର ହୋଇ

ପାଇବାକୁ ଅବ୍ୟକ୍ତ ଆନନ୍ଦ

ତେଣୁ ଟିକେ ବାହାନାର ଲାଞ୍ଜ ଧରି

ମର୍ତ୍ତ୍ୟର ଗୋଳି ଗୋଳି ପାଣିରେ

ଓ ନର୍କର ବୈତରଣୀରେ

ସାଥୀ ହୋଇ ପହଁରେ ଅନ୍ତତଃ ।

 

ଗେଟ୍‌ ମ୍ୟାନ୍‌

ରାତିରେ ହେଣ୍ଟାଳେ ବାଘ

ଦିନ ତମାମ

ଖାଦାନ୍‌ର ଟ୍ରକ୍‌ ଡ୍ରାଇଭର

ଗୁମ୍‌ଟୀ କାନ୍ଥରେ ଗଦା

ବଜରଙ୍ଗବାଲୀର

ବରାଭୟ ଦୁର୍ଗାମାତାଙ୍କର

ତଥାପି ତା’ ଛାତିର ହୁଙ୍କା ଭିତରେ

କୁଣ୍ଡଳୀ ବୁଲାଉଥାଏ ଭୟର ଗୋଖର ।

 

ସବୁ ଦେବା ଦେବୀ ଚିତ୍ର

ବାରମ୍ବାର ଲଗାଏ ମଥାରେ

ଚାଲିଯାଉ ସବୁ ଟ୍ରେନ୍‌

ସବୁ ଟ୍ରକ୍‌ ବିନା ଆପଦରେ

ଚାକିରୀର ଆରାମ ଚୌକୀଟା

ଥାଉ ସହି ସଲାମତ୍‌

ଯେ ପର୍ଯ୍ୟନ୍ତ ଉଗ୍ରେସର ହୋଇ

ଏକୋଇର ବଳା ନଫେରିଛି ଘରେ ।

 

ସହରକୁ ପଠାଇଲା ପରେ

ଆଶଙ୍କାରେ ମେଘ ତାକୁ ବ୍ୟସ୍ତ ଓ ବିବ୍ରତ କରେ

ତା’ ଚିତ୍ରପଟେ ଉକୁଟେ ଖର ନିଃଶ୍ୱାସରେ

ବେଳେବେଳେ ଅଶେଷ ଆଶାରେ

ଆକାଶକୁ ଚାହେଁ

କବିତାର ଦୁଇ ଧାଡ଼ି ପଢ଼ିସାରି

ଆତ୍ମ-ବିଭୋର କବି ଯେପରି

ଶ୍ରୋତାଙ୍କୁ ଅନାଏଁ ।

 

ରାତିରେ ହେଣ୍ଟାଳେ ବାଘ

ଦିନ ତମାମ ଟ୍ରକ ଡ୍ରାଇଭର

ଅହୋରାତ୍ର ହେଣ୍ଟାଳି ହେଣ୍ଟାଳି

ଆଗକୁ ଝପଟେ ଟ୍ରେନ୍‌

ଘନ ସରଣ୍ଡା ବଣର

ଛାତିକୁ ବିଦାରି

ସାବ୍‌ଜା କପଡ଼ା ଥାନରେ

କଚ୍‌କିନା ଧାଇଁ ଯାଏ

କଇଁଚି ଯେପରି ।

 

ନିଛାଟିଆ ଗୁମ୍‌ଟୀରେ

ବାଇଗଣି ପୋଷାକ ଭିତରେ

ଭୋକ ହେଣ୍ଟାଳୁଥାଏ ଅନବରତ

ଦୁଇ ଆଖି ତନ୍ନ ତନ୍ନ ଖୋଜୁଥାନ୍ତି

ରାତିର ଆକାଶ

ଆଉ କିଛିକ୍ଷଣ ପରେ

ସୁନା ସବାରିରେ ଚଢ଼ି

ଆସିବ ଫୁକିଆ ନକ୍ଷତ୍ର ।

 

ପୁତ୍ର ଜନ୍ମ

ଲୁମ୍ବିନୀ ଉପବନରେ ସେଦିନ

ବେଦମ୍‌ ନାଚିଥିବେ ପଶୁ ପକ୍ଷୀ ଗଣ

ସ୍ୱର୍ଗର ଅପ୍‌ସରାମାନେ କରିଥିବେ

ନାନା ଜାତି କୁସୁମ ବର୍ଷଣ

ଗଙ୍ଗଶିଉଳି ଓ ବଉଳ କଢ଼ରୁ

ଫିଟି ପଡ଼ିଥିବ ଚଉଦିଗ ବାସ୍ନା

ଶଙ୍ଖ ହୁଳହୁଳି ଶବ୍ଦରେ

ଗଗନ ପବନ କମ୍ପାଇଥିବେ ନଗ୍ରଜନେ

ଭୂପୃଷ୍ଠରେ ଯେଉଁ ଦିନ

ପାଦ ଦେଲେ ତଥାଗତ ।

 

ଲକ୍ଷ ଲକ୍ଷ ତାରାର ଚୁମ୍‌କିରେ

ସେଦିନ ଛାଇ ହୋଇଥିବ

ବେଥେଲହାମ୍‌ର ଆକାଶ

ଉଜ୍ଜ୍ୱଳ ନକ୍ଷତ୍ରଟିଏ ଝଲ୍‌ସୁଥିବ

ଐଶାନ୍ୟ କୋଣରେ

ଅବାକ୍‌ ହୋଇ ତେଣେ ଚାହିଁଥିବେ

ମରୁଭୂମିର ଓଟ ଏବଂ ବଣିକରଦଳ

ପବନ କ୍ଷିପ୍ର ଗତିରେ ଧାଉଁଥିବ

ଢାଳିବାକୁ ଆଲଟ ଚାମର

ମେଣ୍ଢାଶାଳେ ଯେଉଁଦିନ

ଆବିର୍ଭାବ ହେଲେ ଯୀଶୁଖ୍ରୀଷ୍ଟ ।

 

ରେ ଶିଶୁପୁତ୍ର ! ମୁଁ ଜାଣେନା

ତୋର ଜନ୍ମ ହେଲା ଦିନ

କ’ଣ ପୃଥିବୀରେ ଘଟିଛି

ଏହିପରି କିଛି ଅଲୌକିକ

ପୃଥିବୀର ମାନଚିତ୍ର ବଦଳିଛି

ତୋ ବିଚିତ୍ର ନିଷ୍ପାପ ହସରେ

ଅବା ଖାଲି ଯାହା ମିଷ୍ଟାନ୍ନରେ

ମଧୁମୟ ହୋଇଛି ଆତ୍ମୀୟଙ୍କ ମନ ।

 

ସେଦିନ ମୁଁ ଥିଲି ଅନେକ ଦୂରରେ

ଦେଖି ପାରିଲିନି ତୁ କିପରି

ଅନ୍ଧାରରୁ ଆଲୋକକୁ ଡେଇଁ ଗଲୁ ବିନା ଆୟାସରେ

ତୁ କିପରି ମଆର ତନ୍ତ୍ରୀରେ

ଆଣିଦେଲୁ ଶିହରଣ ମୁହୂର୍ତ୍ତକଟିରେ

ମୋତେ କିନ୍ତୁ ସେଦିନ ସବୁକିଛି ଲାଗୁଥିଲା ଭିନ୍ନ ଭିନ୍ନ

ବିହ୍ୱଳିତ ପଡ଼ୋଶୀଙ୍କ ପରି ମୋ ଆଖିକୁ ଦିଶୁଥିଲେ

ସାଡୋଲ୍‌ର ଶାଳଗଛ ମାନ ।

 

ରେ ଶିଶୁ ପୁତ୍ର !

ତୋର ଧରାବତରଣର ବାର୍ତ୍ତା

ମୋତେ ଟାଣିନେଲା ସୂର୍ଯ୍ୟ ଚନ୍ଦ୍ର

ନକ୍ଷତ୍ର ପର୍ଯ୍ୟନ୍ତ

ସେ ରାତ୍ରିର ପ୍ରତିଦଣ୍ଡ

ପ୍ରତିପଳ ଓ ପ୍ରତ୍ୟେକ ମୁହୂର୍ତ୍ତ

ମୋ ତନୁର ପଦ୍ମ କୋରକରେ

ଭରୁଥିଲା ଭୁରୁ ଭୁରୁ ବାସ୍ନା

ମୋ ମନର ନିଖୁଣ ଦର୍ଜାରେ

ପିଟୁଥିଲା ଆନନ୍ଦର ବର୍ଷା ।

 

ତୁ ତଥାଗତ, ଯୀଶୁଖ୍ରୀଷ୍ଟ, ବାଲ୍ମୀକି

ବା ବାଇମୁଣ୍ଡି ହେବୁ ମୁଁ ଜାଣେନା

ଏତିକି ଜାଣେ ଯେ ତୋର ଆବିର୍ଭାବ

ମୋତେ ଇହଲୋକ

ଓ ପରଲୋକର ନର୍କଯନ୍ତ୍ରଣାରୁ

ପରିତ୍ରାଣ ଦେବା ପାଇଁହିଁ ଯଥେଷ୍ଟ ।

 

ମଞ୍ଚାସୀନ

ସାଇବେରିଆର ଶେଷ ସାରସର ଦଳ

ଏ ମଞ୍ଚାର ସାମ୍‌ନାରେ ଉଡ଼ିଗଲା ପରେ

ଖଣ୍ଡିଆ ଭୂତ ଏ ଇଲାକାକୁ ଜବ୍‌ଜା କରେ

ଥମିଯାଏ ପୃଥିବୀର ନିରତ ଘୂର୍ଣ୍ଣନ

ବାଲି ଏବଂ ବାରୁଦର ରାଇଜରୁ

ହଜିଯାଏ ସନ ସନ ସ୍ୱନ ।

 

ଶୁଣିଛି ଜହ୍ନ ରାତିରେ ଆଖୁ ବିଲର ମଞ୍ଚାରୁ

ପତ୍ର ଆଉ ପବନର ଫିସ୍‌ ଫାସ ହସ

ଭାଲୁ ହୁରୁଡ଼ାର ହୋ-ହଲ୍ଲା

ସ୍ତବ୍‌ଧ ହେଲା ପରେ

ଜାଇଫୁଲ ପାଇଁ ଫାନ୍ଦିଛି ରସାଳିଆ ଗୀତ ।

 

ବାଉଁଶ ଅଗରେ ବନ୍ଧା ପାଳଭୂତ ପରି

ନିଘାରଖେ ଯୋଜନ ଯୋଜନ

ଆଖି ପତା ବିନ୍ଧିଲା ପର୍ଯ୍ୟନ୍ତ

ଦିନ ଦିନ ପ୍ରତୀକ୍ଷାର ଅନ୍ତେ

ଲାଗେ ନାହିଁ ଘମାଘୋଟ ଯୁଦ୍ଧ

ବର୍ଷିବ ବର୍ଷିବ ହୋଇ କୁଣ୍ଡା ଝାଡ଼ି ଚାଲିଯାଏ

ଯେମିତି ସକାଳୁ ଗରଜୁଥିବା ଅଥରପା ମେଘ ।

 

ଇଚ୍ଛା ହୁଏ ଛୁଟିନେଇ ଆସିଥାନ୍ତି ବୁଲି

ମୋ ମା’ର ହାତଲାଗି ଛାମୁଣ୍ଡିଆରେ କଖାରୁ

ହସୁଥିବେ ପେଟ୍ରୋମାକ୍‌ସ ପରି

ଦୋଲା ଦୋଲା ଜହ୍ନି ଫୁଲ କରଡ଼ା ଝାଟିରେ

ସନ୍ଧ୍ୟା ତାରା ଦେଖୁ ଦେଖୁ

ଉଠୁଥିବେ ବେଦମ୍‌ କୁରୁଳି ।

 

ମଞ୍ଚାରୁ ନାଳପାଣିକୁ ବନ୍‌ଶୀ ଛାଡ଼ି

ଅକଳନ୍ତି ମାଛ ଧରି ଅଛି

ଏଠି ମୋର ପ୍ରତିପକ୍ଷଭାବେ ଠିଆ

ଆମ ସରପରି ଦିଶୁଥିବା ଝିଅଟିର ବର

ତାକୁ ଦେଖି ବନ୍ଧୁକର ନଳୀ

ଯଦି ମୁହଁ ମୋଡ଼ି ନିଏ କାଙ୍କ ପରି

ଏବଂ ଗ୍ରେନେଡ୍‌ ଫୁରୁସିଯାଏ

କୁମ୍ପି ବାଣ ପରି

ସେଥିରେ ମୋର କି ଅବା କସୁର ।

 

ଏଠି ବେକଭାଙ୍ଗେ ନିରବଧି କାଳ

ଉଞ୍ଚ ପାହାଡ଼ରର ଫମ୍ପା ଏକାଗ୍ରତା

ପୋଷ ପୋଷ ଅନ୍ୟମନସ୍କତା ନେଇ

ଆସନ୍ତାନି ଶ୍ୟାମ ଉପତ୍ୟକା

ତା’ସାଥୀରେ ଡେଇଁ ଡେଇଁ ମେଣ୍ଢାପଲ

ପଛେ ପଛେ ଉଡ଼ି ଉଡ଼ି କା’ର ଚିତ୍ରିତ ଉତ୍ତରୀ

ସେଥିରେ ଲଟକି କୋଶେ ବାଟ

ଉଡ଼ିଯାନ୍ତି କଙ୍କି ପରି ।

 

 

 

ପର୍ବତାରୋହଣ

ସନ୍ନ୍ୟାସୀ ଚାଲିଛି ଏକା

ସବୁଦିନ ପରି

କୁଢ଼ କୁଢ଼ ଭାବନାର

ପର୍ବତ ଶିଖର ଚଢ଼ି

ସାତକିଲୋ ଓଜନର

ବୋଝକୁ ପିଠିରେ ବୋହି

ଶେର୍ପା ପରି ।

 

କଲୋନୀର ବଜ୍ରକାପ୍ତା ପିଠି ପରି

ଖପର୍ଲି ଛାତରେ ଚଢ଼ି

ଗଞ୍ଜା ଡାକଦିଏ

କଅଁଳ ସୂର୍ଯ୍ୟକୁ

ବିନିଦ୍ର କଢ଼କୁ

ନାଲି ଆଖି ଚେଙ୍କା

ତାକୁ ଉଠାଏ ସ୍ୱପ୍ନରୁ ।

 

ସ୍କୁଲକୁ ଗଲାବେଳେ

ଫାଟକ ପର୍ଯ୍ୟନ୍ତ

କେହି ଦିଏନା ବାଟେଇ

ମା ଭୈ ମୁଦ୍ରାର ହାତକୁ ହଲେଇ

ସାୟାଂହ୍ନର ଠନ୍‌ ଠନ୍‌ ସରସ ଶବ୍ଦକୁ

ସାଇକେଲ ଧରି

କେହି ନଥାନ୍ତି ତକେଇ ।

 

ସ୍କୁଲରୁ ଘରକୁ ଫେରନ୍ତେ

ରୁଟି ବେଲ, କାଠହାଣ

ବଜାରରୁ ତେଲ ଲୁଣ ଆଣ

ଯାବତୀୟ ହୁକୁମର ସଂବାଳୁଆ

ଝୁଲନ୍ତି ଶୂନ୍ୟରୁ

ମାଲ୍ୟାଣୀର ଘରେ

ଗୋତି ଖଟେ ରଜା ପୁଅ

କପାଳର ସାମ୍ରାଜ୍ୟଟା ନୁହେଁ ତା’ର

କଂକି ଏବଂ ପ୍ରଜାପତି ମୟ ।

 

ନିଭୃତିରେ ଓଠର ମୁହାଁଣଯାଏ

ଦୁଇଧାର ଅଭିମାନ ବହେ

ବାଇଚଢ଼େଇ ହାତରେ

ଏଠିକାର ସନ୍ଦେଶ ପଠାଏ

ଥରେ ଆସି ଦେଖିଯାଆ, ମାଆ

ମୋ ଭାଗ୍ୟରେ କେବେ

ଛେନା ସର ପଡ଼େ ନାହିଁ

ଏକୁଟିଆ ଗୋ ଗୋଷ୍ଠକୁ

ଯାଏ ତୋ କହ୍ନାଇ ।

 

ସନ୍ନ୍ୟାସୀର ପିତାମାତା

ଅପର୍ତ୍ତ୍ୟାଣୀ ନାଁ ଟିର କବଚ ପିନ୍ଧାଇ

ଜୀବନଟା ସିନା ବୀମା କରିଦେଲ

ପୂତି-ଗନ୍ଧ ନରକରୁ ନିଜେ ତରିଗଲ

କେଉଁ ଟୀକା ଗୋବିନ୍ଦକୁ ପଢ଼ି

ଏକୋଇର ବଳାଟିକୁ

ଯୋଗୀ ବନାଇଲ ?

 

ତମେ କି ଭାବିଲ ମନେ

ସବୁ ମାଉସୀ ପିଉସୀ

ସାକ୍ଷାତ୍‌ ଯଶୋଦା ?

କେଉଁ କଂସାସୁରକୁ ଡରିଲ ?

ଟ୍ରେନ୍‌ର ଭକ୍ ଭକ୍ ଧୂଆଁ

ନା ଅପନ୍ତରା ଷ୍ଟେସନର ଅଜ୍ଞତା ?

 

କେଉଁ ରାତି ଅଧର ଆଲୁଅ

ତୁମକୁ ଦିଶିଲା ବାସେଳିର

ଧୋବ ଫରଫର ଦେହ ?

କେଉଁ ବରଗଛର ଓହଳ

 

ବୁଢ଼ୀ ଅସୁରୁଣୀର

ପ୍ରଲଂବିତ ଗୋଡ଼ ?

ଏକୋଇର ବଳାକୁ

ସହରକୁ ଠେଲିଦେଲ

କି ପାଠ ପଢ଼ିବ ?

ଦେଇଛ ତାକୁ ସୁଦାମାଟିଏ

ବଳରାମ ଟିଏ,

ଦେଇଛକି ତାକୁ ବଇଁଶୀଟିଏ

ବାତ୍ସଲ୍ୟର କ୍ଷୀରସର

ସୌହାର୍ଦ୍ଦର ଖୁଦରୁ ମୁଠିଏ ?

 

ଦେଈ

ଛାତିରେ ଜାବୁଡ଼ି କିଛି ଚିଠି

କିଛି ସ୍ମୃତି

କିଛି କିଛି ମିଛ ପ୍ରତିଶ୍ରୁତି

କେଉଁ ଖିଆଲରେ

କଡ଼ି ଦେହେ ଲଟକିଛୁ, ଦେଈ ?

 

ତୋ ଉଛୁଳା ହସରେ ଦିନେ

ନଈ ଦି’ କୂଳରୁ ଖସୁଥିଲା ଅତଡ଼ା

ତୋ ବୋଲରେ ଗୋଟିଏ ଘାଟରେ

ଉଠ୍‌ ବସ୍‌ ହେଉଥିଲେ ଛେଳି ଆଉ ବାଘ

ଉତ୍ତରୀକୁ ଫିଙ୍ଗି ଦେଇ ଖଣ୍ଡିଆ ଭୂତକୁ

ବେକରେ ଗୁଡ଼ାଇ ଫେରୁଥିଲୁ

ମାଳମାଳ ଗୁଜବର ଲାଉଡଙ୍କି ସାପ ।

 

କିଟି କିଟି ଅନ୍ଧାର

ଓ କିଏ କ’ଣ ଭାବିବାକୁ

ତୋର ନଥିଲା ପରୁଆ

ନଈ ପଠା ଅବା ମେଲଣ ତୋଟାରୁ

ଫେରୁଥିଲୁ ରାତି ଦଶଟାରେ

କୁଞ୍ଚ କାନିରୁ ଝାଡ଼ି ଝାଡ଼ି

କିଛି ସ୍ୱପ୍ନ କିଛି ଗୁଗୁଚିଆ ।

 

କେତେ ବଡ଼ ଦମ୍ଭ ଥିଲା

ବଡ଼ଘରୁ ବେଉରା ଆସିବ

ମା’ ବାପା ଭୁଲିଯିବେ

ଅତୀତର ରାଗ ମନସ୍ତାପ

ଅଚାନକ କ’ଣ ହେଲା

ଟହଟହ ବିଶ୍ୱାସର ସୋରିଷ କ୍ଷେତରେ

ଅଦିନିଆ ବୟାର ନାଚିଲା

ଚୈତ୍ରର ସମୀର

ହଠାତ୍‌ ଉଡ଼ାଇ ନେଲା ଯେପରି

ଭାଗ୍ୟର ସହର ।

 

ଦେଖି ପାରୁଛୁ କି ଦେଈ !

କଡ଼ିରୁ ଆକାଶ

ଆକାଶର ଶୋଭାବନ ରୂପ

ଧରିତ୍ରୀର ବିସ୍ତାରିତ କୋଳ

ଦେଖି ପାରୁଛୁ କି ଦେଈ

ଚଉପାଶେ ଶାଳର ଜଙ୍ଗଲ

ଜଙ୍ଗଲ ଉପରେ କିପରି

ଲଟକିଛି ଝଲମଲ ଜହ୍ନ ।

 

ଅଜା ନାତି

ଜଣେ ଶଗଡ଼ ମୁଣ୍ଡାରେ

ଆଉ ଜଣେ ଶଗଡ଼ ଦଣ୍ଡାରେ

ଜଣକ ଗପର ସୁଅରେ

ଭଉଁରୀ କାଟନ୍ତି କିମ୍ୱଦନ୍ତୀ

ରାଜାଘର ବେଠି

ଫିରିଙ୍ଗୀର ଅତ୍ୟାଚାର

ଜଣକ ଗପରେ ଉଡ଼ି ଆସନ୍ତି

ପକ୍ଷୀ ଓ ପତଙ୍ଗ ।

 

ସେମାନଙ୍କ ବିମର୍ଷ ଭାଗ୍ୟକୁ

କିଛି ବାଟ ବାହି ନିଏ ଗୁଣୁଗୁଣୁ ଗୀତ

ଜଣକର ଗୀତ ଶୁଣି

ନାଚନ୍ତି ଫଣା ହଲାଇ

ବାଉଳା ପବନ, ଗ୍ରହ ଓ ନକ୍ଷତ୍ର

ଆରକର ଗୀତକୁ ବୁଝନ୍ତି

ପତ୍ର ଝଡ଼ା ଗଛ

ଗୁମ୍‌ ମାରି ଶୋଇଥିବା କ୍ଷେତ ।

 

ଜଣେ ଦମ୍‌ ନିଏ ବରଗଛ ତଳେ

ଆଉ ଜଣେ ଡିଏଁ ଡାଳରେ ପତ୍ରରେ

ଜଣକ ଆଖି ସାମ୍‌ନାରେ

ଅପସରି ଯାଉଥାଏ ଡାହାଣିଆ ଖରା

ଆଉ ଜଣେ ଦେଖୁଥାଏ

ଆକାଶରେ ଧୀରେ ଧୀରେ

ଫୁଟୁଥାନ୍ତି ଗୋଟି ଗୋଟି ତାରା ।

 

ସରିଯାଏ ବୁଜୁଳାରୁ ମୁଢ଼ି ଓ ହୁଡ଼ୁମ

ଶୁଖିଯାଏ ଅନର୍ଗଳ ଗପର ନିର୍ଝର

ବାଟ ସରେ ନାହିଁ

ଗୋଟିଏ ଲମ୍ୱା ରାସ୍ତାରେ

ଭିନ୍ନ ଭିନ୍ନ ପୃଥିବୀକୁ ବୋହି

ଚାଲିଛନ୍ତି ଦୁଇଜଣ ଅଭିନ୍ନ ବାଟୋଇ ।

ମୃଗୟା

ସନ୍ୟାସୀର ମନ ଡିଏଁ ପ୍ରାଣ ଡିଏଁ

ଡେଇଁଯାନ୍ତି ଆବେଗର କଅଁଳା ବାଛୁରି

ଆଜି ହେବ ବଡ଼ ଦିନ ଛୁଟି

ତା’ ଆଖି ଆଗରେ ନାଚି ଉଠନ୍ତି

ଆଗନ୍ତୁକ ସୁନେଲୀ ମୁହୂର୍ତ୍ତମାନ

ସ୍ୱପ୍ନରେ ପହଁରି ।

 

ହଠାତ୍‌ ଏ କ’ଣ ହେଲା

ଚାରିଆଡ଼େ ଭରିଗଲା ମଣିଷଙ୍କ ଭିଡ଼

ରାସ୍ତା ସାରା ଜମିଗଲେ

ଆତଙ୍କିତ ଦୁଃଖଙ୍କ ପାହାଡ଼

ଆଖି ଆଗେ ଘଟିଗଲା

ଯେତେ ସବୁ ଆଶ୍ଚର୍ଯ୍ୟ ଘଟଣ

କେଡ଼େ ସାନ ପ୍ରତିପକ୍ଷ

ତା’ ପାଇଁ ଆୟୋଜନ କେଡ଼େ ପଲଟଣ ।

 

ଏତେ ଦିନେ ଦେଖିଲି ମୁଁ

କାଳର ଅଦ୍ଭୁତ ଖେଳ

ତା’ ଅସଲ ରୂପ

ସେ ଯେମିତି ମଦମତ୍ତ ଦୁର୍ଦ୍ଦାନ୍ତ ରାଜନ

କଅଁଳିଆ ମାଂସ ପାଇଁ

ଚକ୍ରୀକାଟି ବୁଲୁଥିବା ନିର୍ଦ୍ଦୟ ଛଞ୍ଚାଣ ।

 

କାଳ ସତେ ଏପରି ବିଚିତ୍ର

ନଡ଼ିଆ ଗଛର ସବା ଅଗ ବରଡ଼ାଟି

ଚାହିଁଲେ ସେ ଝାଡ଼ି ଦେଇପାରେ

ଆମ୍ବ କଷି ବଉଳର ସାରା ମହୁ

କାତର ଶଶା ପିଲାର ସାରାଲହୁ

ଶୋଷିଦିଏ ଖିଆଲ ଆସିଲେ ।

 

ଭୁବନେଶ୍ୱରରୁ ଭବାନୀପାଟଣା

ଇନ୍ଦ୍ର ମହାପ୍ରଭୁ !

କଟକ ଭୁବନେଶ୍ୱରରେ ଯଥେଷ୍ଟ କୃପା କଲଣି

ତୁମ ଅଯାଚିତ ଦରଦରେ ନଗ୍ରବାସୀ ଅଥୟ ହେଲେଣି

କାଠଯୋଡ଼ି ନଦୀର ପଠାରେ ଏବେ ଭାଳେ ବାଇମୁଣ୍ଡି

ତୁମେ ଏବେ ଥାଟ ପାଟ ଧରି ଚାଲ କଳାହାଣ୍ଡି ।

 

ଲାଗ ଲାଗ ପାଞ୍ଚସନ ତଇଲାରେ ବିହନ ବୁଡ଼ିଲା

ତମ୍ୱାଟିଆ ତୀରପରି ଆକାଶକୁ ଅନାଇଁଲେ କାନ୍ଦୁଲର ଡାଙ୍ଗ

ଜୋରରୁ ସରିଲା ପାଣି ଗଛରୁ ତେନ୍ତୁଳି

ପୋଖରୀରୁ କଇଁର ସାଲୁଙ୍କ

ଭୋକ ସଙ୍ଗେ ନିତି ପ୍ରତି ଯୁଝିବାକୁ ଜୁ’ ଚାଲିଗଲା

ଠିକାଦାର ସାଥୀରେ ସମ୍ଭାରି ଗଲା ଯେ ବାହୁଡ଼ି ନଇଲା

 

ଆ’ ଆ’ ବରଷା ଲୋ ଧାଙ୍ଗ୍ଡ଼ୀମାନେ

କେତେ ଯେ ଧରିଲେ ରାହା ଗଳା ବସିଗଲା

ରାତିସାରା ଏବେ ଖାଲି ଶୁଭେ ଝିଙ୍କାରୀଙ୍କ ଝିଁ ଝିଁ

କେତେ ଗଞ୍ଜା ବେକହାଣି ସିସା ଡାକ ଦେଲା

ନେ’ ନେ’ ବଢ଼ିଆ ତାଜା ରକତଦ ପି’ ପି’

ଛପର ଉଡ଼ିବା ସାଙ୍ଗେ କେନ୍ଦୁପତ୍ର ଡିପୁ ଉଠିଗଲା

କୁଲୀ କାମ ତଲାସରେ ନାକଫୋଡ଼ି ରାୟପୁର ଗଲା

ସେଠି ନେଲା ଆଶା ବାଡ଼ିର ସାହାରା ।

 

ତମେ ଆସିବ ବୋଲି ସିସାକୁ ସପନେଇଲ

ରାତି ଅଧେ ଝୁଲି ଝୁଲି ମାରିଲା କୁହାଟ

ଅଗିରାକୁ ଧାନ ଫିଙ୍ଗି ବେତଛୁଇଁ କଲା ମନ୍ତ୍ରପାଠ

ତା’ କରାମତି ଉପରେ ବୁଢ଼ୀଟିଏ କି ଟିପ୍‌ଣୀ ଦେଲା

ବାଲାରେ ତା’ ମୁଣ୍ଡଗଣ୍ଡି ଦୁଇଗଡ଼ କଲା ।

 

ତମ ଆବାହନ ପାଇଁ ଓଳିଆରେ ନାହିଁ ଆଉ ଧାନ

ବାଡ଼ି ତଳେ ଦୁବ, ଗାଆଁରେ ସିସା ଓ ଦିଶାରି

ନିର୍ବିବାଦେ ଖଣ୍ଡିଆ ଛପର ଓ ଧୂଳି ସଙ୍ଗେ

ମୋତେ ବାଉଳା ପବନ

ଫେରଣ୍ଡା ପିଠିରେ ଲାଉ ହୋଇ ଗାଁ ଗାଁ ବୁଲନ୍ତି ଶକୁନ

କା’ନ୍ଦନା, କେନ୍ଦୁଆ ଆସିବ ବୋଲି ବୋଧ ଦିଏ

ମା’ଟିର ଶେତା ଶେତା ଥନ ।

ତମେ ସୁଦୟା ନକଲେ

ଲଣ୍ଡା ପାହାଡ଼ର ଆବୁ, ଟେଳାଟେଳା ଶାଗୁଆ ଘା’ରେ

ଭରିଯିବ କଳାହାଣ୍ଡି

ନିଆଁଗିଳା ଭୋକ ଯୋଗୁଁ ପିତ୍ତଯିବ ତାଳୁ ଉପରକୁ ଚଢ଼ି

ପୋଖତ ଆଶାର ମାଳବନ୍ଧ ଭୁଷୁଡ଼ି ପଡ଼ିବ

ଗାଁ ଖାଁ ଖାଁ ଆଉ ଜେଲ ମଉଜ ଲାଗିବ

ବହଳ ନୀଳ ବିଶ୍ୱାସର ଶୟତାନ ସହ ହୋଇବ ଭେଟଣା

ଇନ୍ଦ୍ରଦେବ, ଭୁବନେଶ୍ୱରରୁ ଡେରାଭାଙ୍ଗି

ତେଣୁ ଚାଲ ଭବାନୀ ପାଟଣା ।

ସମୟଟା ଯଦି ସ୍ତବ୍‌ଧ ହୋଇଯାନ୍ତା

ଶିଶୁ ପୁତ୍ର ମାଗିଥିଲା ବଇଁଚ ଗଛର କୋଳି

ପଦ୍ମ ଫୁଲ ତୋଳିବାକୁ

ଅଳିଅଳି କନ୍ୟା ମୋର କରିଥିଲା ଅଳି

ତମେ ମୋତେ ମାଗିଥିଲ ଜହ୍ନରାତି

ନିକାଞ୍ଚନ ମୁହୂର୍ତ୍ତ କେଇଟି

ଜହ୍ନ ରାତି, ପଦ୍ମ ଫୁଲ ଓ ବଇଁଚ କୋଳି

କହିଗଲେ ହାତ ପାଆନ୍ତାକୁ ଆସିବେ କାଲିକି

ତା’ପରେ ସମସ୍ତଙ୍କ ଇଚ୍ଛା-କଢ଼ ମହକିବ ବୋଳି

ଦେଇଥିଲି ଦୃଢ଼ ପ୍ରତିଶ୍ରୁତି ।

 

ପ୍ରତିଶ୍ରୁତିର ଲଲିପପ୍‌ ଦେଇ

ଶୁଆଇଛି ମୋ ପୁତ୍ର କନ୍ୟାଙ୍କୁ

ଭୂଆଁ ବୁଲେଇଛି ପ୍ରିୟେ ଅନେକ ତୁମକୁ

ଏବଂ ମୋର ଚେତନ ମନକୁ

ସତରେ କି ସପ୍ତରଙ୍ଗ ସପ୍ତସ୍ୱର ନେଇ

ଆସିବ ସେ କାଲିର ସକାଳ

ସତରେ କି ପୂର୍ଣ୍ଣ ହେବ ସବୁ ମନସ୍କାମ !

 

ହେ ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଓ ନକ୍ଷତ୍ର

ଲକ୍ଷ୍ୟ ହୀନ ଉଚ୍ଚାଟ ପବନ !

ଦେଖିଛ କି ଆସନ୍ତା କାଲିକୁ କେହି

ଆସୁଛି ସେ କେଉଁ ଟ୍ରେନ୍‌ କେଉଁ ଯାନ ଚଢ଼ି

ବାତ ଚକ୍ର ପରି ମୁଁ କିନ୍ତୁ ଘୂରିବୁଲେ ଏଠି ସେଠି

ଅନ୍ଧାରରେ ଯୂଥଭ୍ରଷ୍ଟ ସମ୍ବରର

ଅପଲକ ନୀଳ ଆଖି ପରି

ଚାହିଁଛି ମୁଁ ବାଟକୁ ତାହାରି ।

 

ଆଜି ମୁଁ ଭାବୁଛି ଖାଲି

ମନ୍ଦିରରେ ଶାଳଭଞ୍ଜିକାର

ହସ୍ତ ଏବଂ ନୟନର ମୁଦ୍ରାପରି

ସମୟଟା ଯଦି ସ୍ତବ୍‌ଧ ହୋଇଯାନ୍ତା

ଫୁଲରେ, ଫଗୁଣରେ, ତରୁ ଡାଳେ ଡାଳେ

ଏବଂ ପ୍ରିୟେ ତମର ଏ ତନୁତୀର୍ଥ ପରେ

ତା’ହେଲେ ଆସନ୍ତା କାଲି କାହିଁକି

ଅସରନ୍ତି ନିରବଧି କାଳ

ପ୍ରତୀକ୍ଷା କରିବା ପାଇଁ

ତିଳେ ହେଲେଶୋଚନା ନଥାନ୍ତା ।

ତମେ ଯଦି କାନ୍ଦି ପାରନ୍ତ

ଶୁଣାଯାଏ

ବୃକ୍ଷଲତା, ପଶୁପକ୍ଷୀ, ଚରାଚର

ନୀରବରେ କାନ୍ଦନ୍ତି ସମସ୍ତେ

ବାପା, ତମେ ଦିନେ ଅଧେ

ଯଦି କାନ୍ଦି ପାରୁଥାନ୍ତ

ତମ ଛାତିତଳୁ ତରଳି ଯାଆନ୍ତା

ଗାଢ଼ ନୀଳ ଦୁଃଖରୁ ପରସ୍ତେ ।

 

ଦୁଲଣୀମାନଙ୍କ ପାଇଁ

ଖୋଜି ଖୋଜି ଉପଯୁକ୍ତ ହାତ

କୁମରମାନଙ୍କ ପାଇଁ ଗୋଟିଏ ଗୋଟିଏ କାତ

ତୁମେ ଆଜି ନିର୍ବାସିତ

ଅଯୋଧ୍ୟାର ରାଜା ରାମଚନ୍ଦ୍ର ।

 

ଗାଁରେ ତମକୁ କହନ୍ତି

ତମେ ଧର୍ମରାଜ ଯୁଧିଷ୍ଠିର

ଶକୁନି ଓ ଦୁର୍ଯ୍ୟୋଧନ ମାନଙ୍କର

କପଟ ଉର୍ଦ୍ଧ୍ୱରେ ତୁମେ

ଅମାୟିକ ସ୍ନେହର ସମୁଦ୍ର ।

 

ନିଜ, ପର, ଭଲ, ଭେଲ

ସମସ୍ତଙ୍କୁ ଥା’ ଥା’ ମା’ ମା’ କହି

କେତେ କେତେ ଭୟାନକ

ସାପର ଗରଳ ପିଇ

ତମେ ଆଜି ପାଲଟିଛ ନୀଳକଣ୍ଠ ।

 

ସେଇଥିପାଇଁ ତ ବାପା !

ତମେ ଏତେ ଅନୁପମ

ଲୁହନଈ ସେପାରିରେ

ସତେ ଏକ ବିଶାଳ ପ୍ରାନ୍ତର

ସତେ କ’ଣ ବାପା ହେଲା ପରେ ପରେ

ଭୁଲିଯାନ୍ତି ସକଳ ମଣିଷ

କାନ୍ଦିବାର ପ୍ରବୃତ୍ତିଟା

ଯାହା ସହଜାତ ?

 

 

 

ନଈ ବଢ଼ି

ନଈ ପାଣି ଯଦି କେବେ ମାଡ଼ିଯାଏ

ଧାନ ଖଳା, ବାରିପିଣ୍ଡା

ତମେ ମନେ ପଡ଼ିଯାଅ ବାପା

ଯେମିତି ଚୂଲୀକୁ ନଥିଲେ ଜାଳେଣି

ଡାଲିକୁ ନଥିଲେ ଲୁଣ

ତମେ ଖୁବ୍‌ ମନେପଡ଼ ।

 

ମନେ ପଡ଼େ

ନଈ ବଢ଼ି ଘେରରେ

ତମେ ଥରେ ପଡ଼ିଥିଲ ବାପା

ଆସୁ ଆସୁ କାଖରେ ସମ୍ଭାଳି ଛତା

ହାତରେ ହାଟ ସଉଦା

ଚିଲିଙ୍କ ମାଟିରେ କେମିତି

ଲିପିଥିଲା ନଈ ତା’ର ସୁନୀଳ

ବାରନ୍ଦା ।

 

ମାଇଲ ମାଇଲ ବ୍ୟାପ୍ତ ସମୁଦ୍ର ଭିତରେ

ତମେ ଦିଶୁଥାଅ ଏକ ଜଡ଼ାଗଛ ପରି

ଛତାଟିକୁ ଆଶ୍ରାକରି

ଚିନ୍ତା କରୁଥାଅ

ଆମ ଘର ଅଗିନି ବାରଣ

ଅଛି କିବା ନାହିଁ ।

 

ଗୋଳି ପାଣି ପଣା ପିଇ

ତମେ ଠିକ୍‌ ନିଘା ରଖିଥାଅ

ରୋଷଘର ଧୂଆଁର କୁଣ୍ଡଳୀ

ସଞ୍ଜୁଆ ଆକାଶ ସଙ୍ଗେ

ଧୀରେ ଧରେ ମିଶଇ କିପରି ।

 

ତମେ କେତେ ନଇ ବଢ଼ି

ଭେଟିଚ ତା’ପରେ

ମଣିଛ ଗୋଳି ପାଣିକୁ

ଗାଁ ମୁଣ୍ଡ ବିଲର ବଦଳ

ତମେ ଅନିଷା କରିଛ

ଅଶ୍ୱତ୍‌ଥ ଡାଳରୁ

କି ବେଗରେ ସିରାକାଟି

ଚହଟଇ ଚାଲାକ ଚିତଳ ।

 

ତମ ବୟସର ଲୋକେ

ଡଙ୍ଗା ବାନ୍ଧି ଦେଇ

ଗିନି ଓ ମୃଦଙ୍ଗ ଧରି

ଉଠିଲେଣି ହୁଡ଼ି ଉପରକୁ

ଆଉ ଥୋକେ ମୁକ୍ତିର ତାବିଜ ପାଇଁ

ଛୁଟିଲେଣି ରନ୍ତଲେଇ ବାବାଙ୍କ ପାଖକୁ ।

 

ତମେ କିନ୍ତୁ ବାପା !

ନୀରବରେ ସେଇମିତି ଚାହିଁଅଛ

ସେ ନଈର ବଢ଼ିଲା ସ୍ରୋତକୁ

ତା’ର ନୀଳ ଆଶ୍ଳେଷରେ

ବାରମ୍ୱାର ନିଜକୁ ହଜାଇବାକୁ ।

 

ଦୁଇଟି ଅନ୍ତରଙ୍ଗ ଆଳାପ

(୧) ଅଭୀଷ୍ଟ ଈଶ୍ୱର

ମାଟି ଆଉ ପଥରର ଦେହଧରି

ତୁ ଗଛମୂଳେ ପଡ଼ିଥିବା ଦେଖି

ମୁଁ ହସୁଥିବି, ନାକ ଟେକୁଥିବି

ବାହାସ୍ଫୋଟ ମାରୁଥିବି :

ତୋ ବିନା ଲଙ୍ଘିଯିବି ସପ୍ତ ସିନ୍ଧୁ

ତପ୍ତ ବୈତରଣୀ

ଜୀବନର ଇତିବୃତ୍ତ ଯାଉଥିବି ଭୁଲି ।

 

କଦାଚନ ଯଦି ବା ନଦେଖେ

ମୁଁ ତୋତେ ବିକଳରେ

ଖୋଜୁଥିବି ଏଣେ ତେଣେ

ଜଳେ, ସ୍ଥଳେ, ଗଗନେ ପବନେ

ମୁଁ ତୋର ବାସ୍ନା ବାରୁଥିବି

ଦୁନିଆଁର କୋଣେ ଅନୁକୋଣେ ।

 

ଯେଉଁଦିନ ଆକାଶରୁ ମିଳିବ ସଙ୍କେତ

ମୁଁ ମିଶିଯିବି ତୋ ଶରୀରରେ

ଯେମିତି ଷ୍ଟେସନ ଭିତରୁ ଟ୍ରେନ୍‌

ସିଟି ମାରି ମିଶିଯାଏ ଅନ୍ଧାରରେ

ତୁ ମୋର ତନୁ ଓ ମନର

ସକଳ କଳ୍ମଷ ସତ୍ତ୍ୱେ

ଲୀନ କରିଦେବୁ ତୋର ଅନନ୍ତ ସତ୍ତାରେ

ଯେହେତୁ ତୁ ଅଭୀଷ୍ଟ ଈଶ୍ୱର ।

 

(୨) ହୃଦୟେଶ୍ୱରୀ

ତୋ ଚଉପାଶେ ମୁଁ ନାଚିବି

ମୟୂର ଭଳି ପୁଚ୍ଛ ମେଲି

ଖୁମ୍ପିବି ଚଞ୍ଚୁରେ ତୋର ରଙ୍ଗୀନ ଡେଣାକୁ

ତୋ ଅଙ୍ଗୀକାରରେ ମୋ ବେନି ହସ୍ତକୁ ଖସିବେ

ସରଗରୁ ଶଶି

ସରସୀରୁ କଇଁ ।

 

ସେ ଅଜଣା ଉନ୍ମାଦନାର ସାମୁଦ୍ରିକ ଝଡ଼

ମୋତେ ଠେଲିନେବ ସହସ୍ର ଯୋଜନ

ଢେଉରେ ମିଶାଇ ଦେବ ହିତାହିତ ଜ୍ଞାନ

ଅତୀତର ନିର୍ଭର ବଚନ

ସେତେବେଳେ ତୋ ତନୁର କୋଣାର୍କ

ଓଟାରିନେବ ମୋ ମନର ଦିଗ୍‌ଭ୍ରାନ୍ତ ବୋଇତ

ତୋ ସାମ୍ନାରେ ମୁଁ ଠିଆହେବି

ଯେମିତି ଏକ ପରାଭୂତ ସାଧବର ପୁତ୍ର

ମୁଁ ତୋତେ ଅନୁନୟ କରୁଥିବି :

 

ରାତିରେ ତୁ ଭେଣ୍ଡା କର

ଅବା ମେଣ୍ଢା କର

ଦିନରେ ଆଜାଦ କର

ତୋ ଶାଣିତ ଅବଜ୍ଞାରେ ରକ୍ତ ହେଉଥିବ ପାଣି

ତୋ ଆଜ୍ଞାରେ ରାତି ହେଉଥିବ ଦିନ

ଦିନ ହେଉଥିବ ରାତି

ତୋ କାଉଁରୀ କାଠିର ସ୍ପର୍ଶରେ

ହଲଚଲ ହେଉଥିବ ମୋ ମଗ୍ନ ପୃଥିବୀ

ଯେହେତୁ ତୁ ହୃଦୟେଶ୍ୱରୀ ।

 

ସେମାନେ ମଣିଷ

ଗଛ ଉପରେ ବସି ରହି

କେହି କେବେ ଖାଉଥିଲେ କୋଳି

ତଳେ ଠିଆହୋଇ ସେମାନେ

ପିଟୁଥିବେ ଛାତି

ମୁହଁ ସବୁ ଦିଶୁ ଥିବେ

ଉଦାସ ଉଦାସ ।

 

ଭୂରିଭୋଜନ ମିଳିଲେ

ମାରୁଥିବେ ହେଣ୍ଡି

ବଦଳ ପାଣି ପଶିଲେ ଯେମିତି

ପୋଖରୀରେ ମାଛ ଉଠେ ଡେଇଁ

ନୂଆ ମେଘ ବାସ୍ନା ପାଇ

ଚଟିଆ ଯେମିତି ଉଠେ

ସ୍ୱପ୍ନରେ ଚହଟି ।

 

କଣ୍ଟାବାଡ଼େ ଲୁଗାଛାଟି

କରୁଥିବେ କଳି

ଖଜୁରୀ ଗଛରେ ଚଢ଼ି

ମଲି ମଲି ବୋଲି

କରୁଥିବେ ବେଲି

ଶିଳପୁଆ ଠାକୁରଙ୍କ

ଆଖିର କଉଡ଼ି ପରି

ସେମାନଙ୍କ ଛାମୁଦାନ୍ତ

ଉଠୁଥିବ ହସରେ ଉକୁଟି ।

 

ପାଞ୍ଚଟି ଟକଳା ମନ

ପଚିଶଟି ପ୍ରପଞ୍ଚ ପ୍ରକୃତି ନେଇ

ଗଢ଼ା ଏମାନଙ୍କ ପ୍ରାଣ

ସତେ କ’ଣ ଅସାର ଜୀବନ ?

ଯଥେଷ୍ଟ ବିମର୍ଷ ଲାଗେ

ଦେଖି ଦେଖି ଏମାନଙ୍କ ଭିନ୍ନରୂପ

ଭିନ୍ନ ଉପାଦାନ ।

 

ମୁଁ କିନ୍ତୁ ପାରେନି ଉପେକ୍ଷି

ସେମାନଙ୍କ ଉପସ୍ଥିତି

ସେମାନେ ଯେ ଅବୋଧ ବାଳୁତ

ଦିନେ ନା ଦିନେ ଆସିବେ

ବାସି ସିଜୁ ଫୁଲପରି ମଥା କରିନତ ।

ଆଲୋ ସାଧବାଣୀ !

ସେମାନଙ୍କୁ ବସୁମାତା ପରି

ନେବୁ ଲୋ ଆଦରି

ଅର୍ଜୁଥିବୁ ଯଶ କୀର୍ତ୍ତି

କାଳ କାଳ ଧରି ।

 

 

ଶେଷ ଦୃଶ୍ୟ

ପର୍ଦ୍ଦା ଉଠୁ ଉଠୁ ଘଟିଗଲା ବଡ଼ ଅଘଟଣ

ସବୁ କିଛି ହୋଇଗଲା ଓଲମ ବିଲମ

ଆତତାୟୀ ଝାମ୍ପ ଦେଲା ପୁଣି ଏ ଛକରେ

ଧରିତ୍ରୀ ଉଠିଲା ଥରି ତା’ର ପ୍ରତାପରେ

ଆକାଶରୁ ଅକଳନ୍ତି ଗ୍ରହ ଓ ନକ୍ଷତ୍ର

ଅବାକ୍‌ ହୋଇ ଦେଖୁଥିଲେ

ନାଟକର ସେହି ଶେଷ ଦୃଶ୍ୟ ।

 

ନେପଥ୍ୟରେ ହଜିଗଲା ମା’ ମା’ ଡାକ

ଝାପ୍‌ସା ଝାପ୍‌ସା ଅନ୍ଧାରରେ ଡେଣା ପିଟି

ଉଡ଼ିଗଲା ଧୋବ ଫରଫର ହଂସ

କେଉଁ ଏକ ଗଛ କୋରଡ଼ର ଏନ୍ତୁଡ଼ିଶାଳରେ

ଭ୍ରୂଣଟିଏ ନେଲା ତା’ର ପ୍ରଥମ ନିଃଶ୍ୱାସ ।

 

ପଛେ ପଛେ ବଶମ୍ୱଦ ମେଷଦଳ

ପହଞ୍ଚିଲେ ଶୋଭା ଯାତ୍ରା କରି ବିଗୁଲ ବଜାଇ

କିଛି ଲୁହ, କିଛି କୋଳାହଳ ପରେ ସବୁ ଚୁପ୍‌ ଚାପ

ଯେମିତି ତାରରେ ଲଟକିଥିବା କାଉର ଆତ୍ମୀୟ

ଘଡ଼ିଏ ପହଡ଼େ ବାହୁନି ଉଡ଼ିଯାନ୍ତି ଉଞ୍ଚ ପରବତ ।

 

ଶେଥା ଓ ଶେମ୍‌ଟା ଦେହରେ

ମହକିଲେ କେତେଫୁଲ କେତେ ଧୂପକାଠି

ଏକୋଇର ବଳା ପାଇଁ ମଥାପିଟି

ଗଛବୃଛ ଦୁଲୁକାଇ କାନ୍ଦିଲେନି କେହି

ମାଖିଲେନି ସନ୍ନ୍ୟାସୀ ଦେହରେ

ଶେଷଥର ତେଲ ଓ ହଳଦୀ ।

 

ଭଣିତାରେ ବରଗଛ

କହୁଥିଲା କଜଳପାତିକୁ :

ଏଡ଼ିକି ଅଭାଗା ପିଲା

ମା’ ବାପା ଆସିଲା ବେଳକୁ

ଲିଭି ଯାଇଥିବ ଏଠୁ ଫାଉଡ଼ାର ଚିହ୍ନ

ତିନି ହାତ ଚାଖଣ୍ଡର ଜାଗା

ଚିହ୍ନାଇ ପାରିବ ନାହିଁ ଅଶିଣର ଜହ୍ନ ।

 

 

 

ଶୁଣ ସାଧବାଣୀ

ଏମନ୍ତ ବେଳାରେ ପାଦଦେଲୁ

ଆଲୋ ସାଧବାଣୀ !

ଷୋଳନ୍ଦୀ ଖଞ୍ଜାରୁ କମକୂଟ ଖସି ପଡ଼ିଲାଣି

ଅଥଳ ଜଳ ଘେରରେ

ଗୋଟି ଗୋଟି ବୁଡ଼ିଲେ ବୋଇତ

ବାଟି ବାଟି ଅଉଲ୍‌ ଜମି ଚଷିଗଲେ ଭୂତ

ଓରାରେ ଓଦର ସହ

ଟଙ୍ଗା ହୋଇ ସବାରି ପାଲିଙ୍କି

ଭରା ଗୁମାନରେ ଦିନୁ ଦିନ ଗଲେଣି ଡେଲିଙ୍ଗି ।

 

ଏ ବଂଶର ତେଜ ଆଜି

ଦିଶେ କେଡ଼େ ଦୟନୀୟ ଡୋରିଆ ଲୁଗାରେ

ଢେଙ୍କାନାଳ ରଜାଙ୍କର ମହାପାତ୍ର ଉପାଧିଟା

ଧନ୍ଦାଳଇ ଉଇଖିଆ କଡ଼ି ବରଗାରେ

ମାଳାମାଳ ପ୍ରଟୋମାକ୍‌ସ ଝୁଲୁଥିବା ବାରନ୍ଦାରେ

ଅନ୍ଧାରର ଭାଲୁ ହାଇମାରେ

ମୂଷା ଓ ଚୁଚୁନ୍ଦ୍ରା ନାଚନ୍ତି ନିର୍ବିଘ୍ନରେ ସିନ୍ଧୁକ ଉପରେ ।

 

ଆଉନାହିଁ ବୃଦ୍ଧ ପିତାଙ୍କର ପାଲା ଏବଂ ସୁଆଙ୍ଗ ସଉକ

ମା’ଙ୍କର ପୂର୍ବପରି କଠୋର ଆକଟ

କୋଳପୋଛା ଏକଇ ନଣନ୍ଦ

ଅଳି କରୁନାହିଁ ଆଉ ସୁବର୍ଣ୍ଣର ଚାନ୍ଦ

କିଛିଟା ଝଲସୁଥିବା ନା’ ଡାକ

କିଛିଟା ପୁରୁଖା ଲୋକଙ୍କ ମାନ ଓ ମହତ

ତୋ ହାତେ ସମର୍ପି ବହୁଦୂରେ

ଯାଉଛି ମୁଁ ଅଭାଗା ଗିରସ୍ତ ।

 

ଠିକେ ଠିକେ କହିଗଲି ଯାହା ମୋର ଥିଲା କହିବାର

ତେଣିକି ସୁକୃତ ଏବଂ ଦୁଷ୍କୃତ ତୁ କରିବୁ ଅମଳ

ପୂର୍ବେଇ ପବନ ଦେବ

ତୋ ସୁନାମର ବିଶଦ ବୃତ୍ତାନ୍ତ

ଗାଁ ମୁଣ୍ଡ କଞ୍ଚନ ଗଛ ଗାଇବ

ତୋ ଅହନ୍ତାରେ କରୁଣ ସଙ୍ଗୀତ

ମୁ ତୋର କାକୁସ୍ଥ ପତି

ଏବଂ ମୋର ଆହତ ପୌରୁଷ

ଯଦିଓ ଭରସି ତୋତେଚ ତେଜିବନି ନିଘଞ୍ଚ ବନସ୍ତ

ମନେରଖ ଉପରେ ଜଳୁଛି ଆଖି ଅଦୃଶ୍ୟ ନଟର

ହିସାବ ନିକାଶ କରିବ ତୋର ପାପ ଓ ପୁଣ୍ୟର ।

 

ଏ ଘରର ଚାନ୍ଦିନୀଟା କେତେ ଉଞ୍ଚା

ଏବଂ ତା’ର ପୁରୁଷ ପୁରୁଷ ଅନ୍ନଛତ୍ରର କାହାଣୀ

ଏ କଥାକୁ ବରାବର ହେଜୁଥିବୁ ଆଲୋ ସାଧବାଣୀ !

ଭରଣ ଭରଣ ପାଇବୁ ଲୋ

ଦେଇଥିଲେ ଗଉଣି ଗଉଣି ।

 

ନାନା ବାୟା ଗୀତ

ଆସ ଆସ ପାରା, ବଣି

କପୋତ ଓ ଚେମେଣିଆ ଦଳ

ବସିବାକୁ ଦେବି କିସ

ନଡ଼ିଆ ଗଛରେ କାହିଁ

ପତ୍ର ଅବା ଡାଳ ?

 

ଆସ ଆସ ଛେଳି, ମେଷ

ବଳଦ ଓ ଅନ୍ୟ ଚତୁଷ୍ପଦ

ଖାଇବାକୁ ଦେବି କିସ

ଚାରିଆଡ଼େ ବାଲିଚର

ବାଷ୍ପୀଭୂତ ସବୁଜ ଉଦ୍ଭିଦ ।

 

ଆସ ଆସ ମାଛ ବେଙ୍ଗ

କଇଁଛ ଓ ଜଳଚର ଜୀବ

ଟୋପାଏ ବି ନାହିଁ ପାଣି

ପିଇବ ହେ କିସ ?

ବାଳୁତ ବିଧବା ପରି

ମହାନଦୀ ଛାଡ଼େ ଦୀର୍ଘଶ୍ୱାସ ।

 

ଜଳ, ସ୍ଥଳ, ଆକାଶର

ଆହେ ବନ୍ଦୁ ସଖା ସହୋଦର

କେମିତି କହିବି ଏଠି

ସବୁ କିଛି ମୂଲାୟମ୍‌

ସୁନୀଳ ସୁଠାମ ?

 

ତଥାପି ବି ଦୁଃଖ କ’ଣ ?

ଆରମ୍ଭିବା ଲଲିତ ପ୍ରଯତ୍ନ

ପାଳିବା ବସୁମାତାକୁ କୁନି ଝିଅ ପରି

ଆମ ନାନା ବାୟା ଗୀତ ଦେବ

ତା’ ଆକିରେ ନୀଳ ନୀଳ ସ୍ୱପ୍ନ ।

 

ବଞ୍ଜରେ ରୋପିବା ଦୁବ

ସେହି ଦୁବ ହେବ ମହାଦ୍ରୂମ

ମହାଦ୍ରୂମ ପତ୍ର ଶୀର୍ଷେ ବର୍ଷିବ ଶ୍ରାବଣ

ଶ୍ରାବଣର ପରଶରେ

ସବୁ ହେବ ଚାରୁକଳା ପୂର୍ଣ୍ଣ ।

 

ମୁଁ ଏକ ନଗଣ୍ୟ କବି

ତଥାପି ମୋ କବିତାରେ

ଅନନ୍ତ ପ୍ରତ୍ୟୟ

ଅନ୍ତରୀକ୍ଷ, ଜଳ, ସ୍ଥଳ

ଆମ ପ୍ରଚେଷ୍ଟାରେ ହେବ

କବିତାର ଡେଣା ପରି ଅନିର୍ବଚନୀୟ ।

 

 

 

 

 

ଠେକୁଆ

ସୁଲୁସୁଲୁ ଦଷିଣା ପବନ ବହୁଥିଲା ସେତେବେଳେ

ଛନଛନ ଘାସର ମହକ,

ଝରଣାର ଝଲମଲ ଡାକ

ଘଞ୍ଚପତ୍ର ଗହଳରେ ଅଦୃଶ୍ୟ ପକ୍ଷୀଙ୍କ ଗୀତ

ସମସ୍ତେ ମସୁଧା କଲେ

ରକ୍ତ ପ୍ରବାହକୁ କମୋର ସ୍ତବ୍‌ଧ କରିଦେଲେ ।

 

ସ୍ୱପ୍ନରେ ଆସିଲା ଭାସି ବଡ଼ ଆଚମ୍ୱିତ ଦୃଶ୍ୟ

ଚତୁର୍ଦ୍ଦିଗ ଛତୁମୟ ନାନାବର୍ଣ୍ଣ ବିଚିତ୍ର ପୋଷାକ

ସେଥିରୁ ବାହାରୁ ଥିଲା ଅଦ୍ଭୁତ ଆଲୋକ

ଆଖି ଖୋଲିଲା ବେଳକୁ ସବୁ ଶୂନ୍‌ଶାନ୍‌

ନାହାନ୍ତି ଖେଳାଳି ଗଣ, ବିଚାରକ ଅଥବା ଦର୍ଶକ

ମାଇଲ ଖୁଣ୍ଟି ଉପରେ ପ୍ରସ୍ତ ପ୍ରସ୍ତ ବାଲି ଆସ୍ତରଣ ।

 

କୋହର ଉଚ୍ଛ୍ୱାସମାନେ ରକ୍ତରେ ମାଂସରେ

ମୂକ ଓ ବଧିର ପିଲାପରି

କିଛି କହିବାକୁ ମୁଣ୍ଡକୋଡ଼ୁ ଥିଲେ

କିଭଳି ଉତ୍ତାଳ ହୋଇ ବିଗୁଲ୍‌ ଓ ଡ୍ରମ୍‌

ବାଜୁଥିବ ସମାପ୍ତି ରେଖାରେ

କିଭଳି ଶିରୋପା ବାନ୍ଧି

ତୀଖ ଶାଳଗଜାପରି ବେକଲମ୍ୱା କରି

ଉତ୍ସବରେ ମାତିଥିବେ ପ୍ରତିଦ୍ୱନ୍ଦୀମାନେ ।

 

ଏମନ୍ତ ସମୟେ ଦେଖିଲି ଜହ୍ନମାମୁଁ ମୁହଁ

କେଜାଣି କାହିଁକି ଜହ୍ନମାମୁଁଙ୍କୁ ଦେଖିଲେ

ଛେଉଣ୍ଡ ମନକୁ ମୋର ମିଳିଯାଏ ଆଶ୍ରା

ଦେହ ସାରା ଚରିଯାଏ

ମହମହ ପ୍ରତ୍ୟୟର ବାସ୍ନା ।

 

ଜହ୍ନମାମୁଁ ପ୍ରବୋଧନା ଦେଲେ :

ଆଗରେ ପଡ଼ିଛି ବାବୁ ଖୁବ୍‌ ଲମ୍ବା ଦୌଡ଼

ନିରାଶାର କାଦୁଅଛିଟିକା ଧୋଇ ପୁଣି ଅଣ୍ଟା ଭିଡ଼

ତୋ’ ପାଇଁ ପଡ଼ିଛି ପିଢ଼ା ଚକମକ ତୋଫା ଚୌତରାରେ

କଇଁଛଙ୍କ ଡେଣା ଆଉ ବେକମାନ ହେଉ ଯେତେ ଲମ୍ୱ

ଘାଣ୍ଟି ହେଉଥିବେ ସେହି ଖାରିଆ ହ୍ରଦରେ ।

 

 

ଡେରାଘର

ନଥିଲା ସେଦିନ ବର୍ଷା,

ଭୂମିକମ୍ପ ଅଥବା ବୟାର

ଅସ୍ତପୂର୍ବ ଜହ୍ନ ଆଲୁଅରେ ପକ୍ଷୀମାନେ

ପିଲାଙ୍କୁ ଦେଖାଉଥିଲେ

ଶୋଭାବନ ପାହାଡ଼ର ଚୂଳ

କୁହୁଡ଼ି ଓ କାକରର ପୋଷାକରେ

ସହର ତଳିର ଭୋର୍‌

ସଦ୍ୟ-ସ୍ନାତା ପୂଜାରିଣୀ ପରି

ଦିଶୁଥିଲା ଶାନ୍ତ ଓ ଉଦାର ।

 

କୁଢ଼ କୁଢ଼ କଙ୍କ୍ରିଟ୍‌ ଓ ଇଟାଙ୍କ ଓଲଟ ଦୃଶ୍ୟ

ଚାହୁଁ ଚାହୁଁ ଭାସିଲା ସାମ୍ନାରେ

ରାତିପାଇଁ ମୁଣ୍ଡ ଥାପି ଶୋଇଥିବା ନିଆଶ୍ରୀଙ୍କ

ହାହାକାର ବ୍ୟାପିଗଲା ଦିଗ୍‌ବିଦିଗରେ ।

 

କାହାର ମାୟାରେ ଉଭେଇଗଲା ଆଉ ଏକ ଡେରାଘରେ

କେତେକାଳ ବୁଲୁଥିବି ଷ୍ଟେସନରୁ ବସ୍‌ଷ୍ଟାଣ୍ଡ

ବସ୍‌ଷ୍ଟାଣ୍ଡରୁ ଭଙ୍ଗା ଦେଉଳର ଚଉତରା

କେତେକାଳ ବୁଲୁଥିବି ଯନ୍ତ୍ରଣା

ଓ ଶୋଚନାର ବାହୁଙ୍ଗା କାନ୍ଧେଇ

କାଖତଳେ ଜାକି ଜାକି ଶେଯ ଓ ମୁଚୁଳା ?

 

ସୁନା ପଞ୍ଜୁରୀ ବିହୁନେ ଚିତ୍ରିତ ଶୁଆକୁ

ଆପଣାର କରି କିସ ଲାଭ ହେବ ବୋଲି

ସାରିଦେଲି ମହର୍ଗ ଜୀବନ !

କେତେ କେତେ ଝଲମଲ ଜହ୍ନରାତି, ପକ୍ଷୀରକାକଳି

ଶୁନ୍ୟକୁ ଉଡ଼ାଇ ନେଲେ

ନିଉଛୁଣା ଭାଗ୍ୟ ଏବଂ କାଲୁଆ ପବନ ।

 

କେଉଁ ପକ୍ଷୀର ନିଃଶ୍ୱାସ ଗୋଡ଼ାଇଛି ଜନ୍ମ ଜନ୍ମାନ୍ତର

ଆକସ୍ମିକ ଯେ ଡାଳ ଧରିଲି, ସେ ଡାଳ ଭାଙ୍ଗିଲା

କାନିପାରି ଯେ ଭୂଇଁରେ ଥାପିଲି ମସ୍ତକ

ସଜନୀଲୋ ! ସେ ଭୂଇଁ ଫାଟିଲା ।

 

 

 

 

ମୋ ଜୀବନ ହେଉ ପରିପୂର୍ଣ୍ଣ

ଆଉ କିଛି ଦିନ ଛାଡ଼ିକରିଆସ

ହେ ଦେବଦୂତ !

ଅଧା ଗଢ଼ା ଦିଅଁ ମୋର

ଏବେ ମୁଁ ମନ୍ଦିରର

ଚୂଳ ମାରିବାରେ ବ୍ୟସ୍ତ ।

 

ମୁଁ ଜାଣେ, ବେଶ୍‌ ଜାଣେ

ଚାଳ ଛପରରୁ ଗଡ଼ୁଥିବା

ବର୍ଷା ପାଣି ପରି

ଗଡ଼ି ଯିବ ବଳକା ଆୟୁଷ

ଦିନେ ଅନହୂତି ଡାକରା ଆସିବ

ଯେତେ ସବୁ ତୀବ୍ର ଅନୁରାଗ

ହେବ ଇତିହାସ ।

 

ଅଯଥା କାଳ କ୍ଷେପଣ

ଲକ୍ଷ୍ୟ ନୁହେଁ ମୋର

ଲକ୍ଷ୍ୟ ନୁହେଁ ଚିତ୍ରିତ ଶିରୋପା

ଚଉଦ ବ୍ରହ୍ମାଣ୍ଡ ଜୟ

ନୁହେଁ ମୋ ଅଭୀପ୍‌ସା

ଶାରଦରେ ଏ ଯାଏ ଧରିନି ଶସ

ସେଇ ମାତ୍ର ଦୁଃଖ ।

 

ହୁଏତ ସେ ମାଗିପାରେ

ମୋ ସାଂସାରିକ ଜଞ୍ଜାଳର

ହିସାବ ନିକାଶ

ସାରା ଜୀବନ ମାୟାରୁ

କ’ଣ ପାଇଲେ ମୋର

ଉତ୍ତର ପୁରୁଷ

ଅପନ୍ତରା ଇଲାକାକୁ

ଦେଇଛି ମୁଁ କିଭଳି ଉଚ୍ଛ୍ୱାସ ।

 

ହେ ଦେବଦୂତ !

ତେଣୁ ଆଉ କିଛି ଦିନ

ଦିଅ ମହଲତ

ମୋ ଜୀବନ ହେଉ ପରିପୂର୍ଣ୍ଣ

ପୁଷ୍ପବତୀ ହେଉ ମୋର

ବଳକା ସମୟ

ଅଜସ୍ର ସମ୍ଭାବନାରେ

ହେଉ ମୋର ପୃଥିବୀ ତନ୍ମୟ ।

 

ମେଘସହ, ମାଟିସହ

ରସଘନ ଯାହାର ସମ୍ପର୍କ

ଗର୍ଭଣା ବେଳକୁ ଦୂରଦେଶ ଚାଲିଯିବ

କେମିତି କୃଷକ ?

 

ତଳେ ବସୁମାତା

ଏଭଳି ଦୁର୍ଲଭ ମାଆ

ତାକୁ ହାଣ, କାଟ

ହଜାର ଗୋଇଠା ମାର

ଫିକ୍‌କିନା ହସିଦେବ

ଜହ୍ନ ଆଲୁଅର ହସ ।

 

ପଶୁପକ୍ଷୀ, ନରନାରୀ

କୀଟ ଓ ପତଙ୍ଗ

ଅସୁମାରି ସନ୍ତାନର ହିସାବ

ତା’ ଅଙ୍ଗୁଳି ରେଖାରେ

ଛେଉଣ୍ଡ ଚଢ଼େଇ ଟିଏ

ବାଟ ଭୁଲିଲେ ବି

ସେ ଫେରାଇ ଆଣିବ

ତା’ର ମାଟିର ବାସ୍ନାରେ ।

 

ଏଭଳି ଦୁର୍ଲଭ ମାଆ

ବକ୍ଷ ଯା’ର ବିଦାରିଲେ

ବାହାରିବ ହୀରା ନୀଳା

ମୋତି ଓ ମାଣିକ୍ୟ

ଚଷିଲେ ଚହଟି ଉଠିବ

ପୂର୍ଣ୍ଣତାର ପଞ୍ଚୁବର୍ଣ୍ଣୀ ରଙ୍ଗ ।

 

ଏଭଳି ଦୁର୍ଲଭ ମାଆ

ଯେତେଟା ଆତୁର ମୁହଁ

ସେତେଟା କାମଧେନୁଙ୍କୁ

କରିବ ପ୍ରସବ

ଯେତେ ଯେତେ ଗଛବୃଚ୍ଛ

ସେତେ ସେତେ ଝରାଇବ

ରସର ସମୁଦ୍ର ।

 

ସବୁ ମାଆ ସମାନ

ମୁଁ ଜାଣିଛି ସୁଜନେ !

କେଉଁ ଖଣ୍ଡ ମଣ୍ଡଳରେ

ପାଇବ ହେ ଏପରି ଜନନୀ

ଥବିର ହେଲେ ବି

ଯା’ର ଥନ ଶୁଖି ନାହିଁ

ବୟସ ଢଳିଲେ ମଧ୍ୟ

ଆନନ୍ତ ଯୌବନା ପରି

ପ୍ରତେ ହେଉଥାଇ ।