ରାଧା-ବିରହ ଚଉତିଶା

ରାଧା-ବିରହ ଚଉତିଶା

ଶ୍ରୀମତୀ ପାର୍ବତୀ ବୈଷ୍ଣବୀ

 

(କବି ପାର୍ବତୀ ବୈଷ୍ଣବୀ ଊନବିଂଶ ଶତାବ୍ଦୀର । ସେ ସମ୍ବଲପୁର ଅବାସୀ ହେବା ଅନୁମାନ କରାଯାଏ । ସେ ଅନେକ ଚଉପଦୀ, ଚଉତିଶା ରଚନା କରିଛନ୍ତି । ନାରୀକବିଙ୍କ ଉକ୍ତ ଚଉତିଶାଟି ସମ୍ବଲପୁରସ୍ଥ ମହାନ୍ତିପଡ଼ାରୁ ୧୮୯୨ ମସିହାରେ ଭଗବାନ ପଟ୍ଟନାୟକଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା । ରାଧା-କୃଷ୍ଣଙ୍କ ପ୍ରେମ ଅପୂର୍ବ, ଅଲୌକିକ । ଦୁହେଁ ଦୁହିଁଙ୍କୁ ଘଡ଼ିଏ ନ ଦେଖିଲେ ପାଗଳ ପ୍ରାୟ ହୋଇଯା’ନ୍ତି । କୃଷ୍ଣ ପ୍ରେମରେ ବିହ୍ୱଳା ରାଧା, ତାଙ୍କ ପାଇଁ କୁଳ, ଗୋତ୍ରର କଟକଣା ଶାଶୂ, ଶ୍ୱଶୁରଙ୍କ ଗାଳି ନିନ୍ଦା, ସମାଜର ତାଡ଼ନା ସହିଛନ୍ତି । କୃଷ୍ଣଙ୍କ ମଥୁରା ଗମନରେ ରାଧା ଗଭୀର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ବିରହ ଯନ୍ତ୍ରଣାରେ ଜର୍ଜରିତା ରାଧାଙ୍କ ମନୋବେଦନା ଚଉତିଶାଟିରେ ଫୁଟି ଉଠିଛି । ସୁନ୍ଦର, ସରଳ ଭାଷା ।)

 

କହେ ରାଧା ଠାକୁରାଣୀ,

କେଉଁ ଅପରାଧେ ମୁରଲୀପାଣି

କିପାଁ ଆମ୍ଭଙ୍କୁ ତେଜିଲେ ପୁଣି, ସଜନୀ ଗୋ ।୧।

କ୍ଷଣେ ତାକୁ ନ ଦେଖିଲେ,

କ୍ଷଣେ ପିଣ୍ଡେ ପ୍ରାଣ ନ ରହେ ଭଲେ

ଖସେ ଲୁହ ହୃଦୟ ଉପରେ, ସଜନୀ ଗୋ ।୨।

 

ଗଲେ ମଥୁରା ଭୁବନ,

ଗୁରୁ ହେଲାଣି ବସନ-ଭୂଷଣ

ଗରଳ ପରାଏ ହେଲା ଅନ୍ନ, ସଜନୀ ଗୋ ।୩।

ଘଡ଼ିଏ ତାକୁ ନ ଦେଖି,

ଘଡ଼ିକେ କୋଟି ଯୁଗ ସମ ଲେଖି

ଘନଶ୍ୟାମ ବିନୁ ହେଲୁ ଦୁଃଖୀ, ସଜନୀ ଗୋ ।୪।

 

ଉଜ୍ଜ୍ୱଳ ଚନ୍ଦ୍ର ବଦନ,

ଉଲୁସଇ ଅଙ୍ଗ ଦେଖି ନୟନ

ଉପେକ୍ଷିଲେ କିପାଁ ଜୀବଧନ, ସଜନୀ ଗୋ ।୫।

ଚତୁର ଅଟେ କହ୍ନାଇ,

ଚାରିଦିନ କଣ୍ଟ କଲେ କିପାଇଁ

ଚିତ୍ତେ ଏତେକ କପଟ ଥାଇ, ସଜନୀ ଗୋ ।୬।

ଛଇଳ ଅଟଇ କାହ୍ନୁ,

ଛଳବୁଦ୍ଧି ଆଉ ନଗଲା ମନୁ

ଛାଡ଼ିଗଲେ ଏ ଗୋପ ଭୁବନୁ, ସଜନୀ ଗୋ ।୭।

 

ଭାବାର୍ଥ- (୧-୭) ସଜନୀ ଆଗରେ ରାଧା ନିଜର ମନବେଦନା ପ୍ରକାଶ କରିଛନ୍ତି । ସଜନୀ ଗୋ, କେଉଁ ଅପରାଧ ଦେଖି ମୂରଲୀ ପାଣି କୃଷ୍ଣ ଆମ୍ଭଙ୍କୁ ଛାଡ଼ି ଚାଲିଗଲେ ? ତାଙ୍କୁ କ୍ଷଣେ ନ ଦେଖିଲେ ପିଣ୍ଡରୁ ପ୍ରାଣ ଚାଲିଗଲା ଭଳି ଲାଗେ । ଆଖୁରୁ ଲୁହ ଝରି ଛାତି ଉପରେ ପଡ଼େ । ଗୋ ସଜନ, କୃଷ୍ଣ ମଥୁରା ଭବନ ଗଲା ଦିନଠୁଁ ବସନ-ଭୂଷଣ ପିନ୍ଧିବାକୁ ଭାରି ଲାଗୁଛି । ଅନ୍ନ ଗରଳ ପ୍ରାୟ ମନେ ହେଉଛି । ତାଙ୍କୁ ଘଡ଼ିଏ ନ ଦେଖିଲେ ଘଡ଼ିକ ସମୟ କୋଟିଏ ଯୁଗ ପରି ଲାଗୁଛି । ଘନଶ୍ୟାମଙ୍କ ବିନା ଆମେ ଦୁଃଖୀ ହୋଇ ପଡ଼ିଛୁ ।

 

ଗୋ ସଖି, କୃଷ୍ଣଙ୍କ ଉଜ୍ଜ୍ୱଳ ଚନ୍ଦ୍ରବଦନ, ଶୋଭାମୟ ନୟନ ଦେଖି ଆମ ଶରୀର ଉଲ୍ଲସି ଉଠୁଛି । ସେ ଆମ ଜୀବଧନ, ଆମକୁ କାହିଁକି ଛାଡ଼ି ଚାଲିଗଲେ । କହ୍ନାଇ ବଡ଼ ଚତୁର । ମନ ଭିତରେ କପଟଥାଇ ଚାରିଦିନ ମଧ୍ୟରେ ମଥୁରାରୁ ଫେରି ଆସିବାକୁ ଆମକୁ କଥା ଦେଲେ । ସେ ପୁଣି ଛଇଳ । ପିଲାଦିନର ସେଇ ଛଳବୁଦ୍ଧି ଏବେଯାଏଁ । ମନରୁ ଗଲା ନାହିଁ । ଏ ଗୋପ ଭୁବନକୁ ଛାଡ଼ି ଚାଲିଗଲେ ।

 

ଜନମକାଳରୁ ହରି,

ଯେତେ ଯେତେ କୃତ୍ୟ କଲେ ମୁରାରି

ଯିଏ କି ଏବେ ମନୁ ପାସୋରି, ସଜନୀ ଗୋ ।୮।

ଝଗଡ଼ ସାରିଣ ଗଲା,

ଝୁରି ମରିବାକୁ ଆମ୍ଭଙ୍କୁ କଲା

ଝିମିଟେ ମନେ ନ ପକାଇଲା, ସଜନୀ ଗୋ ।୯।

 

ନିଶ୍ଚେ ସତ୍ୟ ମୁଁ କହୁଛି,

ନିମିଷେ ନପାରେ ତାଙ୍କୁ ମୂରୁଛି

ନିଶି ଦିବା ହୃଦୟ ପୋଡ଼ୁଛି, ସଜନୀ ଗୋ ।୧୦।

ଟେକି ଶିରେ ବସାଇଲା,

ଟେକି ଶ୍ୟାମବନ୍ଧୁ କଚାଡ଼ି ଦେଲା

ଟାଣପଣ ଆମ୍ଭ ସରିଗଲା, ସଜନୀ ଗୋ ।୧୧।

 

ଠାରି ନେଲା କୁଞ୍ଜବନ,

ଠୁଳ ବ୍ରହ୍ମଜ୍ଞାନେ ମୋହିଲା ମନ

ଠିକ ନପାନ୍ତି ଯା ମୁନିଗଣ, ସଜନୀ ଗୋ ।୧୨।

ଡର କିଛି ନାହିଁ ତାକୁ,

ଡାକି ନେଲା କୁଳବଧୂମାନଙ୍କୁ

ଡାଳେ ରଖି ମୂଳ କାଟିବାକୁ, ସଜନୀ ଗୋ ।୧୩।

 

ଢଳି ଢଳି ଚାଲେ ହରି,

ଢମାଳୀ ଗୀତେ ବଂଶୀନାଦ କରି

ଢମପଣ ଭାଙ୍ଗିଲା ଆମ୍ଭରି, ସଜନୀ ଗୋ ।୧୪।

ଅକ୍ରୂର ହେଲା ଭଗାରି,

ଆମ୍ଭ ବେନି ଚକ୍ଷୁ ଶ୍ରୀରାମ ହରି

ଆଣ୍ଟେ ନେଲା ସେହୁ ଖୋଳି କରି, ସଜନୀ ଗୋ ।୧୫।

 

ଭାବାର୍ଥ- (୮-୧୫) ଗୋ ସଜନି, ଜନ୍ମକାଳରୁ ବଡ଼ ନଟଖଟିଆ । ଏହି ସମୟରେ ଯେତେ ଯାହା କରିଛନ୍ତି, ସେ ସବୁକୁ କ’ଣ ସହଜରେ ପାସୋର ହେଉଛି ? ଝଗଡ଼(ଭ୍ରମ) ସାରି ମଥୁରା ପୁରକୁ ଚାଲିଗଲେ, ଆମେ ଏବେ ଝୁରି ମରୁଛୁ । କ୍ଷଣିକ ପାଇଁ ମଧ୍ୟ ଆମକୁ ମନେ ପକାଉନାହାନ୍ତି । ସଜନି ଗୋ, ମୁଁ ନିଶ୍ଚୟ କରି କହୁଛି, ନିମିଷକ ପାଇଁ ମଧ୍ୟ ମୁଁ ତାଙ୍କୁ ମୂର୍ଚ୍ଛି ପାରୁନାହିଁ । ଆମ୍ଭମାନଙ୍କ ସହିତ ପ୍ରୀତିଭାବ ରଖି ମୁଣ୍ଡ ଉପରେ ବସାଇଲେ ବା ଅତି ମାତ୍ରାରେ ଆଦର କଲେ, ଏବେ ତଳେ କଚାଡ଼ି ଦେଲେ । ଆମର ସବୁ ଟାଣ ପଣ ଭାଙ୍ଗିଗଲା ।

 

ସଜନି ଗୋ, କୁଞ୍ଜବନ ଆମକୁ ଠାରି ନେଲା । ଅର୍ଥାତ୍ ତାହା ଆମକୁ ଆକର୍ଷିତ କଲା । ସ୍ଥୂଳ ବ୍ରହ୍ମଜ୍ଞାନରେ ଆମ ମନକୁ ସେ ମୋହିତ କଲେ । ମୁନି, ଋଷି, ସାଧୁ ସନ୍ଥମାନେ ଯାହାଙ୍କ ଠିକଣା ପାଇପାରନ୍ତି ନାହିଁ, ଆମେ ଛାର ବା ତାଙ୍କୁ କିମିତି ବୁଝିବୁ ? ତାଙ୍କୁ ଡରଭୟ, ଲାଜସରମ କିଛି ନାହିଁ । .କୁଳବଧୂମାନଙ୍କୁ ପାଖକୁ ଡାକିନେଲେ । ଡାଳରେ ବସାଇ ଏବେ ମୂଳ କାଟି ଦେଲେ । କୃଷ୍ଣ ଢଳି ଢଳି ଚାଲନ୍ତି, ଚାଲି ସଙ୍ଗରେ ବଂଶୀନାଦ ପୁଣି ଢମାଳି ଗୀତ । ସେ ସୁନ୍ଦର ଚାଲି ବଂଶୀଗୀତର ଅପୂର୍ବ ନାଦ- ତା’ର ପଟାନ୍ତର ନାହିଁ । ଆମ ଦୁଇ ଚକ୍ଷୁ କୃଷ୍ଣ ଓ ରାମ । ଅକ୍ରୂର ଆମର ଭଗାରି ହୋଇ ଆଣ୍ଟ କରି ତାଙ୍କୁ ମଥୁରାକୁ ନେଇଗଲେ ।

 

 

ତ୍ରିଲୋକର ନାଥ ସେହୁ,

ତାର ଗୁଣ ଗୁଣି ଜୀବନ ଯାଉ

ତିନିପୁରେ କଥା ରହିଥାଉ, ସଜନୀ ଗୋ ।୧୬।

ଥରେ ସେ ସଙ୍କେତ କଲା,

ଥିବୁ କୁଞ୍ଜରେ ଆସିବି ବୋଇଲା

ଥିଲି ବସି ଯାମିନୀ ପାହିଲା, ସଜନୀ ଗୋ ।୧୭।

 

ଦୟାସାଗର ଶ୍ରୀହରି,

ଦୁଇ ହସ୍ତେ ମୋର ପୟର ଧରି

ଦୟିନିରେ ଚିତ୍ତ ନେଲା ହରି, ସଜନୀ ଗୋ ।୧୮।

ଧର୍ମ ଯେବେ ସତେ ଥିବ,

ଧାଇଁ ଗୋପୀନା ଗୋପେ ଆସିବ

ଧନ ଜୀବନ ଆମ୍ଭଙ୍କୁ ଦେବ, ସଜନୀ ଗୋ ।୧୯।

 

ନିଶିବାସରେ ମୋ ମନ,

ନିରବଧି ବ୍ୟାକୁଳ ଜୀବନ

ନନ୍ଦସୁତ ନିଶ୍ଚେ ନେବ ପ୍ରାଣ, ସଜନୀ ଗୋ ।୨୦।

ପୂତନା ଧାଈ ଆସିଲା,

ପୟରେ ବିଷ ଭରି ପିଆଇଲା

କ୍ଷୀର ତୁଲେ ପ୍ରାଣ ଶୋଷିନେଲା, ସଜନୀ ଗୋ ।୨୧।

 

ଫାଟିଯାଉଛି ହୃଦୟ,

ଫନ୍ଦା କରିବାକୁ ନାହିଁ ଉପାୟ

ଫେଡ଼ିବ କେ ଏ ଦୁଃଖ ସଂଶୟ, ସଜନୀ ଗୋ ।୨୨।

ବୃନ୍ଦାବନେ ବତ୍ସା ରଖି,

ବଂଶୀନାଦେ ନେଲା ଆମ୍ଭଙ୍କୁ ଡାକି

ବଂଶୀ ସିନା ଅଟେ ଆମ୍ଭ ସାକ୍ଷୀ, ସଜନୀ ଗୋ ।୨୩।

 

ଭାବାର୍ଥ- (୧୬-୨୩) ଗୋ ସଜନି, ତ୍ରିଲୋକର ନାଥ ସେ । ଆମେ ଛାର ଗୋପନାରୀ । ତାଙ୍କ ଗୁଣ ଗୁଣି ଆମ ଜୀବନ ଯାଉ । ଏ ତିନିପୁରରେ କଥା ରହିଥାଉ । ଥରକର କଥା, ସଙ୍କେତ କରି ସେ ଜଣାଇଲେ ଯେ, କୁଞ୍ଜରେ ରହିଥାଅ, ମୁଁ ଆସିବି । ରାତି ସାରା ତାଙ୍କୁ ଅପେକ୍ଷା କଲି । ତଥାପି ତାଙ୍କର ଦେଖାନାହିଁ । ଦୟା ସାଗର ଶ୍ରୀହରି ନିଜେ ଦୁଇହାତରେ ମୋ ପାଦ ଧରି ଏଥିପାଇଁ କ୍ଷମା ମାଗିଲେ । ତାଙ୍କ ଦୟିନୀ ମୋ ମନକୁ ହରିନେଲା । ଗୋ ସଜନି, ଧର୍ମ ଯଦି ସତରେ ଥିବ, କୃଷ ଶୀଘ୍ର ଗୋପପୁରକୁ ଫେରିଆସିବେ । ଆମକୁ ଧନ, ଜୀବନ ଦେବେ । ତାଙ୍କ ପାଖରେ ଦିନରାତି ମୋ ମନ ଲାଗି ରହିଛି । ସର୍ବଦା ଏ ଜୀବନ ବ୍ୟାକୁଳ ହୋଇ ଉଠୁଛି । ନନ୍ଦସୁତ କୃଷ୍ଣଙ୍କ ହାତରେ ମୋ ଜୀବନ ଯିବା ନିଶ୍ଚିତ ଜଣାପଡ଼ୁଛି । ଗୋ ସଜନି, ପୂତନା ଧାଈ ଆସି ତା’ ସ୍ତନ କ୍ଷୀରରେ ବିଷ ପୂରାଇ ପିଆଇଲା । ବନମାଳୀ କୃଷ୍ଣ କ୍ଷୀର ସଙ୍ଗରେ ପୂତନାର ପ୍ରାଣ ବି ଶୋଷି ଦେଲେ । ମୋ ହୃଦୟ ଫାଟି ଯାଉଛି । ଫନ୍ଦା କରିବାକୁ କୌଣସି ଉପାୟନାହିଁ । ଦୁଃଖ ମୋର ପ୍ରବଳ । ଏହାକୁ କିଏ ବା ଫେଡ଼ିବ ? ଗୋ ସଜନି, ବୃନ୍ଦାବନରେ ବତ୍ସାରଖି, ବଂଶୀନାଦ କରି ଆସନ୍ତୁ ଡାକି ନେଲେ । ବଂଶୀ ଏକା ଆମର ସାକ୍ଷୀ ।

 

ଭାବଗ୍ରାହୀ ନାମ ବହି,

ଭଲା ଭଣ୍ଡି ଗଲେ ଗୋପ-କହ୍ନାଇ

ଭଲେ ମଥୁରା ରହିବା ପାଇଁ, ସଜନୀ ଗୋ ।୨୪।

ମଥୁରାନାରୀଙ୍କ ଭାବ,

ମାଧବ ଛାଡ଼ି କି ଗୋପେ ଆସିବ

ମଲେ ଆମ୍ଭେ ତାର କିସ ଯିବ, ସଜନୀ ଗୋ ।୨୫।

 

ଯିବାବେଳେ କହିଗଲେ,

ଯାତ୍ରା ଦେଖି ଗୋପେ ଆସିବି ଭଲେ

ଜଗନ୍ନାଥ ବାହୁଡ଼ା ନଇଲେ, ସଜନୀ ଗୋ ।୨୬।

ରଙ୍କହସ୍ତେ ଥିଲା ଧନ,

ରିପୁପଣେ ଖଣ୍ଟ ନେଲା ବହନ

ରାତ୍ରଦିବା ଝୁରୁଅଛି ମନ, ସଜନୀ ଗୋ ।୨୭।

 

ଲାବଣ୍ୟ ବଦନ ଗୋଟି,

ଲବେ ନ ଦେଖି ଆକ୍ଷି ଯାଏ ଫୁଟି

ଲଜ୍ଜା ଛାଡ଼ି ଅନାଉ ଥାଉଁଟି, ସଜନୀ ଗୋ ।୨୮।

ବୃନ୍ଦାବନ ଲୀଳା ଯେତେ,

ବିଚାରି ରାଧା ସନ୍ତାପିତ ଚିତ୍ତେ

ବୋହୁଛି ନେତ୍ରୁ ନୀର ନିରତେ, ସଜନୀ ଗୋ ।୨୯।

 

ଭାବାର୍ଥ- (୨୪-୨୯) ଗୋ ସଜନ, କୃଷ୍ଣ ଭାବଗ୍ରାହୀ ନାମକୁ ବହି ଆମକୁ ଭଲା ଭଣ୍ଡିଦେଲେ ! ମଥୁରାରେ ଯାଇ ରହିଗଲେ । ମଥୁରା ନାରୀଙ୍କ ଭାବରେ ପଡ଼ି ସେ କ’ଣ ଆଉ ଗୋପକୁ ଆସି ପାରିବେ ? ଆମେ ମଲେ କି ଗଲେ ତାଙ୍କର ଯାଏ ଆସେ କେତେ ? ଗୋ ସଜନ, ମଥୁରା ଗଲା ବେଳେ ଆମକୁ କହିଗଲେ, ଯାତ୍ରା ଦେଖିବା ପରେ ସେ ଗୋପପୁରକୁ ଫେରିଯିବେ; କିନ୍ତୁ ଆଉ ବାହୁଡ଼ି ଆସିଲେ ନାହିଁ । ରଙ୍କ ହାତରେ ଧନ ଥିଲା, ଶତ୍ରୁପଣ କରି ଖଣ୍ଟ ନେଇଗଲା । ରାତ୍ରିଦିନ ତାଙ୍କୁ ମନ ଝୁରୁଛି । ଗୋ ସଜନ, କୃଷ୍ଣଙ୍କର ସେଇ ଲାବଣ୍ୟ ବଦନକୁ କ୍ଷଣ ପାଇଁ ମଧ୍ୟ ନ ଦେଖିଲେ ଆଖି ଫୁଟି ଯାଉଛି । ଲଜ୍ଜା ଛାଡ଼ି ତାଙ୍କ ଫେରିବା ବାଟକୁ ଚାହିଁ ରହିଥାଉ । ଯେତେ ସବୁ ବୃନ୍ଦାବନ ଲୀଳା, ରାଧା ସେ ସବୁକୁ ସନ୍ତାପିତ ମନରେ ଭାବିଲେ । ଚକ୍ଷୁରୁ ଧାର ଧାର ଲୁହ ବୋହି ପଡ଼ିଲା ।

 

ଶ୍ରୀକୃଷ୍ଣ ଗୁଣ ଗୁଣି,

ଶ୍ରୀମତୀ ଲୋଟିପଡ଼ିଲେ ଧରଣୀ

ସତେ ବାତେ ରମ୍ଭାବୃକ୍ଷ ଠାଣି, ସଜନୀ ଗୋ ।୩୦।

ସତ୍ୱରେ ଉଠିଣ ବାଳୀ,

ସୁବାସ ଜଳେ ଶ୍ରୀମୁଖ ପଖାଳି

ଶୋକ ଛାଡ଼ ଛାଡ଼ ବୋଲି ବାଳୀ, ସଜନୀ ଗୋ ।୩୧।

 

ହରି ପଦ୍ମପାଦେ ଧ୍ୟାନ,

ହଜାଇଲେ ତହିଁ ମନ-ଚୈତନ୍ୟ

ହାସମୁଖୀ ବ୍ରଜାଙ୍ଗନାଗଣ, ସଜନୀ ଗୋ ।୩୨।

କ୍ଷମେ ବୈଷ୍ଣବୀ ପାର୍ବତୀ,

କ୍ଷମାକର ଦୋଷ ହେ ଲକ୍ଷ୍ମୀପତି,

ଖଟାଅ ଗୋପୀ ତୁଲେ ମୋ ମତି, ସଜନୀ ଗୋ ।୩୩।

 

ଭାବାର୍ଥ- (୩୦-୩୪) ଶ୍ରୀକୃଷ୍ଣଙ୍କ ଗୁଣ ଗୁଣି ପବନରେ କଦଳୀଗଛ ତଳେ ପଡ଼ିଗଲା ଭଳି ରାଧା ଭୂମି ତଳେ ଲୋଟି ପଡ଼ିଲେ । ପୁଣି ସେ ଶୀଘ୍ର ଉଠି ସୁବାସିତ ଜଳରେ ମୁଖକୁ ଧୋଇଲେ । ପାଖରେ ଥିବା ସଖୀମାନେ ଶୋକ ଛାଡ଼, ଶୋକ ଛାଡ଼ ବୋଲି ତାଙ୍କୁ ପ୍ରବୋଧନା ଦେଲେ । ତା’ ପରେ ରାଧା ଓ ହାସମୁଖୀ ବ୍ରଜାଙ୍ଗନାଗଣ ଶ୍ରୀକୃଷ୍ଣଙ୍କ ପାଦ ପଦ୍ମରେ ଧାନ କରି ତହିଁରେ ମନ-ଚୈତନ୍ୟ ହଜାଇ ଦେଲେ । ପ୍ରଭୁଙ୍କ ପାଦତଳେ ପ୍ରାର୍ଥନା କରି କବି ବୈଷ୍ଣବ କ୍ଷମା ପ୍ରାର୍ଥନା କରିଛନ୍ତି । କହିଛନ୍ତି- ପ୍ରଭୁ, ଲକ୍ଷ୍ମୀପତି, ଗୋପୀ ସହିତ ମୋ ମନକୁ ଖଟାଅ । ମୋ ଦୋଷ କ୍ଷମାକର ।