ରସ କଦମ୍ବ ଚଉତିଶା

ରସ କଦମ୍ବ ଚଉତିଶା

ଲୋକନାଥ ଧୀବର

 

(ରାଗ-ନଳିନୀ ଗୌଡ଼ା)

 

(ଲୋକନାଥ ଧୀବର ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର କବି । ସେ କେତେକ ଭଜନ, ଚଉତିଶା ରଚନା କରିଯାଇଛନ୍ତି । ‘ରସ କଦମ୍ବ’ ତାଙ୍କର ଏକ ଶ୍ରେଷ୍ଠ ଚଉତିଶା । ରସ ନାଗର ଶ୍ରୀକୃଷ୍ଣ, କଦମ୍ବ ମୂଳିଆ । ତାଙ୍କର ଅପୂର୍ବ ରୂପ, ଠାଣି, ମୟୂରଚୂଳିଆ, ବଂଶୀଧର । କୃଷ୍ଣଙ୍କ ଏହି ରୂପ, ଗୁଣକୁ ଦୂତୀ ରାଧାଙ୍କ ଆଗରେ ପ୍ରକାଶ କରିଛନ୍ତି । ସରଳ, ସହଜ ଭାଷା ଓ ଭାବରେ ପରିପୂର୍ଣ୍ଣ ଚଉତିଶାଟି ।)

 

କହନ୍ତି ରାଧିକା ଶୁଣ ଗୋ ଦୂତିକା ଦିନେ ଗଲି ନୀର ଆଣି

କଦମ୍ବ ମୂଳେ ମୁଁ କି ରୂପ ଦେଖିଲି କାଳିଆ ତ୍ରିଭଙ୍ଗୀ ଠାଣି ଗୋ

ମିତ୍ର !

କଣ୍ଠ ସୁସ୍ୱରେ ଗାବନ୍ତି ଗୀତ ଗୋ

କୁଞ୍ଜେ କୋକିଳ ଦେଖି ଚଳିତ ଗୋ

ସେ ଯେ ଅଟନ୍ତି କାହାର ସୁତ ଗୋ ।।୧।।

 

ଖଣ୍ଡେ ଦୂରୁ ଦେଖି ଚିତ୍ତ ମୋ ବଳିଲା ହୃଦେ ନ ରହିଲା ଦମ୍ଭ

ଖସି ପଡ଼ୁଥିଲା ଖଞ୍ଜଇ ରଖିଲି କାଖରୁ ସଜଳ କୁମ୍ଭ ଗୋ

ସଖୀ !

ଖେଦ ଦେଉଛି ବଛାନ୍ତ ରଖି ଗୋ

କ୍ଷଣେ ପିଛାଡ଼ି ନ ପାରୁ ଆଖି ଗୋ

ଖର ଚାହାଣି ବିନ୍ଧଇ ଯୋଖି ଗୋ ।।୨।।

 

ଗମନ କରି ମୁଁ ଆସି ନ ପାରଇ ନ ଚଳଇ ବେନିପାଦ

ଗୋଡ଼କୁ ଅନାଉଁ ପ୍ରହରେ ରହିଲି ଶୁଣି ତା ମୁରଲୀ ନାଦ ଗୋ

ପୁଣ ।

ଗଲି ଶରଣ ତାହାକୁ ଆଣ ଗୋ

ଗଲା ପିଣ୍ଡରୁ ଛାଡ଼ି ପରାଣ ଗୋ

ଗତେ ମୁରଲୀ ବଜାନ୍ତେ ପୁଣ ଗୋ ।।୩।।

 

ଘଟଣ ଶ୍ରୀମୁଖ ଦେଖିଲା ବେଳରୁ ଘୋଟିଛି ଅନଙ୍ଗରାୟ

ଘୁମାଇ ମୋ ଅଙ୍ଗ ଘାରି ହେଉଅଛି ଗାଇଲା ପିକ ପରାୟ ଗୋ ।

ମୋତେ ।

ଘୁମ ନିଦ୍ରା ନ ମାଡ଼େ କିଞ୍ଚିତ ଗୋ

ଘୋଷା କରିଛି କନ୍ଦର୍ପ ଯେତେ ଗୋ

ଘେନି ବୁଲିବି କୁଞ୍ଜ କୁଞ୍ଜନ୍ତେ ଗୋ ।।୪।।

 

ଭାବାର୍ଥ- (୧-୪) ରାଧା ଦୂତୀକୁ କହୁଛନ୍ତି, ରେ ଦୂତି, ମୋ କଥା ଶୁଣ । ଦିନେ ମୁଁ ଯମୁନାକୁ ଜଳ ପାଇଁ ଯାଇଥିଲି । କଦମ୍ବ ମୂଳରେ କ ରୂପ ଦେଖିଲି ଜାଣିଛୁ ? କାଳିଆ ତ୍ରିଭଙ୍ଗୀଠାଣି । ରେ ମିତ, ତାଙ୍କ କଣ୍ଠରୁ ସୁନ୍ଦର ଗୀତ ଭାସି ଆସୁଥିଲା । କୋଇଲି ପକ୍ଷୀର ସୁସ୍ୱର ତା’ ଆଗରେ ହାର ମାନିବ । ସେ କାହାର ପୁଅ କି ? ଖଣ୍ଡେ ଦୂରରୁ ତାଙ୍କୁ ଦେଖି ମୋ ମନ ଅଥୟ ହେଲା, ଛାତିରେ ଦମ୍ଭ ରହିଲା ନାହିଁ । କାଖରେ ଧରିଥିବା ଜଳକୁ ଖସି ପଡ଼ୁଥିଲା, ଥୟ ମନରେ ତାକୁ ଧରିଲି । ରେ ସଖି, ମନରେ ଖେଦ ଜାତ ହେଉଛି, କ୍ଷଣିକ ପାଇଁ ମଧ୍ୟ ଆଖୁ ପିଛାଡ଼ି ପାରୁନାହିଁ, ତାଙ୍କ ଖର ଚାହାଁଣି ଶରରେ ଯେମିତି ମୋତେ ବିନ୍ଧି ପକାଇଲା । ମୋତେ ଏ ଦୁଃଖରୁ ବଞ୍ଚା ।

 

ରେ ସଖି, ତାଙ୍କ ଚାହାଁଣି, ରୂପ ଦେଖି ମୋ ମନ ଇତସ୍ତତଃ ହୋଇ ପଡ଼ିଲା । ସେଠାରୁ ମୁଁ ଆସି ପାରିଲି ନାହିଁ । ଦୁଇ ପାଦ ମୋର ଚଳିଲା ନାହିଁ । ପାଦ ଚଳିଲା ନାହିଁ ବୋଲି ଅଟକି ଗଲା ବେଳେ ପୁଣି ତାଙ୍କର ଅପୂର୍ବ ମୁରଲୀ ସ୍ଵନ ଶୁଣି ପ୍ରହରେ ଯାଏଁ ରହିଗଲି । ରେ ସଖି, ତୋ ପାଖରେ ଶରଣ ପଶୁଛି, ତାଙ୍କୁ ମୋ ପାଖକୁ ଆଣ । ପିଣ୍ଡରୁ ମୋର ପ୍ରାଣ ଛାଡ଼ି ଯାଉଛି । ତାଙ୍କ ମୁରଲୀ ବାଜିଲେ ମୋର ପ୍ରାଣ ରହିବ । ତାଙ୍କ ମନୋହର ରୂପ, ସୁନ୍ଦର ଶ୍ରୀମୁଖ ଦେଖିଲା ବେଳଠୁଁ କନ୍ଦର୍ପ ମୋ ଉପରେ ଦାଉ ସାଧୁଛି । ମୋ ଶରୀର ଯନ୍ତ୍ରଣାରେ ଜର୍ଜରିତ ହୋଇ ପଡ଼ୁଛି । ମୋ ଆଖିକୁ ଆଉ ନିଦ ଆସୁନାହିଁ । କନ୍ଦର୍ପ ଭୟରେ ମୁଁ କୁଞ୍ଜରୁ କୁଞ୍ଜକୁ ଏବେ ବୁଲିବି ।

 

 

ନବଘନ ଅଙ୍ଗ ଅଧର ସୁରଙ୍ଗ ଶୋହିଛି ପୀତବାସକୁ

ନୂଆ ମଦନ କି ତ୍ରିଦିବ ନାଗର ଚିହ୍ନିନ ପାରିଲି ତାଙ୍କୁ ଗୋ

ସେଯେ ।

ବନ ତରୁଣୀଙ୍କ ଗର୍ବ ଗଞ୍ଜେ ଗୋ

ନାହିଁ ଏମନ୍ତ ପ୍ରକାରେ ଦୁଯେ ଗୋ

ନୀପ ମୂଳେ କରିଛନ୍ତି ବିଜେ ଗୋ ।।୫।।

 

ଚୋଖ କରି ତାଙ୍କ ଚନ୍ଦନ ଚିତାକୁ ଅଳପ ଅନାଇଁ ଦେଲି

ଚିତ୍ତ ଚୋର ଆଖି ହୃଦେ ଗଲା ଭୁକି ଚାହିଁବା ଛଟକେ ମଲି ଗୋ

ମୁହିଁ ।

ଚିତ୍ତ ତରଳିତ ଗଲା ହୋଇ ଗୋ

ଚାଣ୍ଡେ ଆସି ଯାଇ ନ ପାରଇ ଗୋ

ଚଳି ନଣନ୍ଦ ହୋଇବା ପାଇଁ ଗୋ ।।୬।।

 

ଛିଡ଼ା ହୋଇଛନ୍ତି ତ୍ରିଭଙ୍ଗ ମୂରତି ଚିତା ନିନ୍ଦୁଅଛି ଚନ୍ଦ୍ର

ଛାର କ୍ଷିତିରେ କି ଜନମ ହୋଇଛି ସ୍ୱର୍ଗରୁ ଆସିଛି ଇନ୍ଦ୍ର ଗୋ

ତାରା ।

ଛାଇ ଦିଶୁଛି ମୋହ ଆଗର ଗୋ

ଛପି ରହିଛି ନୟନେ ମୋର ଗୋ

ଛୁଆ ସିଂହ ଠାଣି କି ସୁନ୍ଦର ଗୋ ।।୭।।

 

ଜଳୁଛି ଅଳକା ଭାଲ ପରେ କିଏ ଏହା ଜାଣୁଟିକି ତୁହି

ଯୋଗୀଜନେ ଯାକୁ ଧ୍ୟାନ କରୁଛନ୍ତି ମାନବ ନୁହନ୍ତି ସେହି ଗୋ

ଭଲା ।

ଯୁବା ଯୁବତୀ ମନ ମୋହିଲା ଗୋ

ଜନ୍ମ କେଉଁ ନାରୀ ତାଙ୍କୁ ଦେଲା ଗୋ

ଜୀବ ପ୍ରାଣ ସେହୁ ହରି ନେଲା ଗୋ ।।୮।।

 

ଝଟକ ଦିଶୁଛି ଚୂଳରେ ଖୋସିଛି ମୋହନ ମୟୂର ପକ୍ଷୀ

ଝାମ ଗଲା ପ୍ରାୟ ମୋ ଦେହ ହେଉଛି ଝୁଣ୍ଟି ପଡ଼ୁଥିଲି ଦେଖି ଗୋ

ତାଙ୍କୁ ।

ଝୁରି ମଲି ତା ବଂଶୀ ସ୍ୱନକୁ ଗୋ

ଝାତିକାରେ ଆଣସି ତାହାଙ୍କୁ ଗୋ

ଝଳି ଗୋପୀଙ୍କ ଧ୍ୟାନ ଯାହାଙ୍କୁ ଗୋ ।।୯।।

 

ଭାବାର୍ଥ- (୫-୯) ରେ ସଜନି, ତାଙ୍କ ନବଘନର ସୌନ୍ଦର୍ଯ୍ୟକୁ ଧାରଣ କରିଛି । ଅଧର ସୁରଙ୍ଗରେ ଶୋଭିତ, ପୀତବସନ ଶରୀରରେ ମନୋହର ଦିଶୁଛି । ସେ ନୂଆ ମଦନ କିମ୍ବା ତ୍ରିଦିବ (ସ୍ଵର୍ଗ) ନାଗର ଚିହ୍ନି ପାରିଲି ନାହିଁ । ସିଏ ବନପ୍ରଦେଶର । ତରୁଣୀମାନଙ୍କ ଗର୍ବକୁ ଗଞ୍ଜନ କରେ । ତାଙ୍କ ଭଳି ସଂସାରରେ ଏମିତି ଦ୍ୱିତୀୟ କେହି ନାହିଁ । କଦମ୍ବ ଗଛ ମୂଳେ ସେ ବିଜେ କରିଛନ୍ତି । ସେ ମଥାରେ ଲଗାଇଥିବା ଚନ୍ଦନ ଟୋପାକୁ ମୁଁ ସାମାନ୍ୟ ଚାହିଁଦେଲି । ସେଇ ଚିତ୍ତ ଚୋରଙ୍କ ଆଖୁ, ହୃଦୟରେ ଏହା ଲାଖିଗଲା, ସେ ମୋତେ ଯେମିତି ଚାହିଁଲେ ମୁଁ ଲାଜରେ ଶଢ଼ିଗଲି । ମୋ ମନ ତରଳି ଗଲା । ସେଠାରୁ ଶୀଘ୍ର ଆସି ପାରିଲି ନାହିଁ । ରେ ସଖି, କଦମ୍ବ ମୂଳରେ ତ୍ରିଭଙ୍ଗୀ ମୂର୍ତ୍ତି ଛିଡ଼ା ରହିଛନ୍ତି । ତାଙ୍କ କପାଳର ଚିତା ଚନ୍ଦ୍ରକୁ ଉପହାସ କରୁଛି । ତାଙ୍କୁ ଦେଖି ମନେ ହେଉଛି, ସ୍ଵର୍ଗରୁ ଇନ୍ଦ୍ର ଆସି ଏ ଛାର ଜଗତପୃଷ୍ଠରେ ଜନ୍ମ ନେଇଛନ୍ତି କି ? ସଜନି ଗୋ, ତାଙ୍କ ଛାଇ ସର୍ବଦା ମୋ ଆଖି ଆଗରେ ନାଚୁଛି । ତାଙ୍କରି ଅପୂର୍ବ ରୂପ, ଠାଣି ମୋ ଚକ୍ଷୁରେ ଛପି ରହିଛି । ସେଇ ଛୁଆ ସିଂହର ଠାଣି କେଡ଼େ ସୁନ୍ଦର ସତେ ! ତାକୁ କଥାରେ କହି ହେବ ନାହିଁ ।

 

ସଖି ଗୋ, ତାଙ୍କ କପାଳ ଉପରେ ଅଳକା (ଚୂର୍ଣ୍ଣକୁନ୍ତଳ-କୁଞ୍ଚୁକୁଞ୍ଚିଆ କେଶ) ପଡ଼ି ଝଟକୁଛି, ସିଏ କିଏ ଜାଣିଛୁ କି ? ଯୋଗୀଜନମାନେ ଯାହାଙ୍କୁ ଧାନ କରୁଛନ୍ତି, ସିଏ ତ ମାନବ ନୁହଁନ୍ତି । ତେବେ ଇଏ କିଏ ? ଭଲା, ସିଏ ଯୁବାଯୁବତୀଙ୍କ ମନ ମୋହିଛନ୍ତି । ତାଙ୍କୁ କେଉଁ ନାରୀ ଜନ୍ମ ଦେଇଛି ? ଜୀବପ୍ରାଣ ସିଏ ହରି ନେଉଛି । ମଥାଚୂଳରେ ମୟୂରପକ୍ଷୀର ପୁଛ ଖୋଷିଛନ୍ତି । ଏହା ଅତ୍ୟନ୍ତ ତେଜରେ ଝଟକୁଛି । ତାଙ୍କର ଏ ମନମୋହନ ରୂପ ଦେଖି ବାରମ୍ବାର ଝୁଣ୍ଟି ପଡ଼ିଲି । ଝାମ ଦେଲା ପ୍ରାୟ ମୋ ଶରୀର ହେଲା । ତାଙ୍କର ମଧୁର ବଂଶୀସ୍ଵନ ଶୁଣି ଝୁରି ମରୁଛି । ଗୋ ସହି, ତାଙ୍କୁ ମୋ ପାଖକୁ ଶୀଘ୍ର ଆଣ । ସେ ଗୋପୀମାନଙ୍କର ଜୀବଜୀବନ । ମୋର ଧ୍ୟାନ ତାଙ୍କ ପାଖରେ ରହିଛି ।

 

 

 

ନିଳେନ୍ଦୀବର ନୟନୀ ବାଣୀ ଶୁଣି ଦୂତୀ ବୋଲଇ ସଙ୍ଗାତ

ନୀଳା କରିବାକୁ ବୈକୁଣ୍ଠ ଠାକୁର ମର୍ତ୍ତ୍ୟେ ହୋଇଛନ୍ତି ଜାତ ସେ

ହରି ।

ନିତ୍ୟ ଧାମ ତେଜି ଅବତରି ସେ

ନାଶ କଲେ ପୂତନା ଅସୁରୀ ସେ

ନନ୍ଦରାଜା ସୁତ ଚକ୍ରଧାରୀ ସେ ।।୧୦।।

 

ଟୋକା ଗୋଟି କୃଷ୍ଣ ଟେକା ପ୍ରାୟ କରି ଟେକି ଧଇଲେ ମନ୍ଦର

ଟସକର ପଣେ ସୁରପତି ଗଲେ ଟାଣ ଭାଙ୍ଗିଲ ତାଙ୍କର ସେ

ନାଥ ।

ଟଙ୍କଧର ରିପୁରତ ତାତ ସେ

ଟେକ ଚଢ଼େ ନନ୍ଦିଘୋଷ ରଥ ସେ

ଟିକେ ଯାହାଙ୍କ ଭଜନ୍ତି ପାର୍ଥ ସେ ।।୧୧।।

 

ଠାକୁରପଣେ ଯେ ଜାତ ହୋଇ ଗୋପେ ଯାମଳାକୁ ବଧ କଲେ

ଠିକେ ଅପରାଧୀ ନାଥିଆ ବୋଲଇ ମୋହର ଗର୍ବ ଗଞ୍ଜିଲେ ସେ

ପ୍ରଭୁ ।

ଠିକେ ସଂସାର ରଚନା ସବୁ ସେ

ଠାକୁରଙ୍କ ସଙ୍ଗତରେ ଥିବୁ ସେ

ଠୂଳ ଭୟ ବିପଦ ନାଶିବୁ ସେ ।।୧୨।।

 

ଡଗର ପଣେ ଦୂତିକା ବେଗେ ଯାଇଁ ଶ୍ରୀ ବୃନ୍ଦାବନେ ମିଳିଲେ

ଡାହୁକ କୋକିଳ ଧ୍ୱନି ସେ ବନରେ କାଳିଆ କାହ୍ନୁ ଭେଟିଲେ ସେ

ଦୂତୀ ।

ଡମ୍ବରୁଧର ଯାହାଙ୍କୁ ସେବନ୍ତି ସେ

ଡାକି କହିଲେ ଶ୍ରୀକୃଷ୍ଣ କତି ସେ

ଡହ ଡହ ହେମାଙ୍ଗୀର ରୀତି ସେ ।।୧୩।।

 

ଢଳି ପଡ଼ୁଅଛି ଅଚେତନ ହୋଇ ମେତେ ପଠାଇ କହିଛି ।

ଢାଳେ ବିଜେକର ନିରାଶ ନକର ତୁମ୍ଭ ଯିବାକୁ ଚାହିଁଛି ।

ରାଧା !

ଢୋକି ପିଇବ ଅଧରୁ ସୁଧା ସେ

ଢାଙ୍କିଅଛି ତାକୁ କାମ ବାଧା ସେ

ଢାଳେ ତୁମ୍ଭଙ୍କୁ କରିଛି ଶ୍ରଦ୍ଧା ସେ ।।୧୪।।

 

ଭାବାର୍ଥ- (୧୦-୧୪) ରାଧାଙ୍କ ଠାରୁ ଏମିତି ଅନୁନୟ ବାଣୀ ଶୁଣି ଦୂତୀ କହିଲା- ରେ ସଙ୍ଗାତ, ମର୍ତ୍ତ୍ୟରେ ଲୀଳା ପ୍ରଦର୍ଶନ ପାଇଁ ବୈକୁଣ୍ଠ ଠାକୁର ଭଗବାନ ବିଷ୍ଣୁ ଜନ୍ମ ନେଇଛନ୍ତି । ଶ୍ରୀହରି ନିତ୍ୟଧାମ ତ୍ୟାଗକରି ମର୍ତ୍ତ୍ୟରେ ଅବତାର ନେଇ ପୂତନା ଅସୁରୀକୁ ନାଶ କଲେ । ସେ ଆଉ କେହି ନୁହଁନ୍ତି, ନନ୍ଦରାଜାଙ୍କ ପୁତ୍ର ସିଏ ଚକ୍ରଧାରୀ ଶ୍ରୀକୃଷ୍ଣ । ତାଙ୍କର ମହିମା ଅପାର । ବାଳୁତ ବୟସରେ ଟେକା ପ୍ରାୟ କରି ପର୍ବତକୁ ଟେକି ଧରିଥିଲେ । ଇନ୍ଦ୍ରଦେବ ଗୋପ ନରନାରୀମାନଙ୍କୁ ହଇରାଣ କଲେ । କୃଷ୍ଣ ତାଙ୍କର ଗର୍ବ, ଟାଣପଣ ଭାଙ୍ଗିଦେଲେ । କନ୍ଦର୍ପର ପିତା ସିଏ । ନନ୍ଦିଘୋଷ ରଥରେ ସେ ଚଢ଼ନ୍ତି । ବୀରବର ପାର୍ଥ ଅର୍ଜୁନ ତାଙ୍କୁ ସର୍ବଦା ଭକ୍ତି କରନ୍ତି । ଠାକୁର ପଣରେ ସେ ଜାତ ହୋଇ ଗୋପପୁରରେ ଯାମଳା ଅର୍ଜୁନକୁ ବଧ କଲେ । କବି ନାଥିଆ (ଲୋକନାଥ) କହିଲେ ଯେ, ପ୍ରଭୁ ତାଙ୍କର ସବୁ ଗର୍ବକୁ ଗଞ୍ଜିଛନ୍ତି । ଏ ସଂସାରକୁ ସେ ରଚନା କରିଛନ୍ତି । ସର୍ବଦା ଠାକୁରଙ୍କ ସଙ୍ଗତରେ ଥିବୁ, ତା ହେଲେ ସବୁ ବିପଦ ନାଶଯିବ ।

 

ଡଗର ପଣରେ ଦୂତିକା ଶୀଘ୍ର ଯାଇ ଶ୍ରୀବୃନ୍ଦାବନରେ ପ୍ରବେଶ କଲା । ଡାହୁକ, କୋକିଳର ରାବରେ ବନଭୂମି ଉଛୁଳି ପଡ଼ୁଥାଏ । ଦୂତୀ ଯାଇ କାଳିଆ କାହ୍ନ କୃଷ୍ଣଙ୍କୁ ଭେଟିଲା । ଶିବ ଯାହାଙ୍କର ସେବା କରନ୍ତି, ସେଇ ଶ୍ରୀକୃଷ୍ଣଙ୍କ ନିକଟରେ ଦୂତୀ ସମସ୍ତ ବୃତ୍ତାନ୍ତ କହିଲା । ପୁଣି କହିଲା, ହେ ପ୍ରଭୁ, ରାଧା ତୁମକୁ ଝୁରି ଝୁରି ଅଚେତ ହୋଇ ପଡ଼ିଛି, ଢଳି ପଡ଼ୁଛି । ମୋତେ ତୁମ ପାଖକୁ ପଠାଇ କହିଛି ସେଠାକୁ ଯିବା ପାଇଁ । ତାକୁ ନିରାଶ କର ନାହିଁ । ତୁମ ଯିବା ବାଟକୁ ସେ ଚାହିଁ ବସିଛି । ତୁମେ ସେଠାକୁ ଗଲା ପରେ ସେ ତୁମ ଅଧରରୁ ଅମୃତ ପାନ କରିବ । କାମଦେବ ତାକୁ ଏବେ ଯନ୍ତ୍ରଣା ଦେଉଛି । ରାଧା ତୁମକୁ ଅଶେଷ ଶ୍ରଦ୍ଧା କରୁଛି ।

 

ଏମନ୍ତ ବାଣୀ ଦୂତିକା ତହୁଁ ଶୁଣି ବୋଲନ୍ତି ନନ୍ଦ କହ୍ନାଇଁ

ଅଜାଙ୍କ କୁମାରୀ ଚନ୍ଦ୍ରସେଣା ନାରୀ ଆମ୍ଭର ଅଟନ୍ତି ମାଈଁ ଗୋ

ସେହି !

ଏତ ଦୂଷଣ କଥା ଅଟଇ ଗୋ

ଅସଧରେ ତ ସଧ ଅଟଇ ଗୋ

ଏହା ସଂସାରରେ ଶୁଣା ନାହିଁ ଗୋ ।।୧୫।।

 

ତେଣେ ଯେ କିଶୋରୀ ଆତଙ୍କରେ ଘାରି ହୋଇ ଚିନ୍ତନ୍ତି ପାର୍ବତୀ

ତିଳ ତଣ୍ଡୁଳ ବେଲପତ୍ରୀ ଦେଇଣ ଈଶ୍ୱରଙ୍କୁ କଲେ ସ୍ତୁତି ସେ

ହର ।

ତୀର୍ଥ କଇଳାସେ ତୁମ୍ଭ ଘର ହେ

ତନୁ ଭସ୍ମବୋଳା ଦିଗମ୍ବର ହେ

ତ୍ରାହି କର ଭବାନୀ ଶଙ୍କର ହେ ।।୧୬।।

 

ଥକା ହୋଇଥିଲା କୃଷ୍ଣବାଣୀ ଶୁଣି ଦୂତିକା ବୋଲଇ ଗୁଣି

ଥାପି ଦେଇ ସ୍ନେହ ଏ ଦୁଃଖସହିଲା କିମ୍ପା ସରଳା କାମିନୀ ସେ

ରାଧା ।

ଥିର ବୁଝି କପଟ ଶରଧା ସେ

ଥୂଳ ନିତମ୍ବିନୀ ସେହି ନିନ୍ଦା ସେ

ଥୁଆ ଫଳ ହେଲା କାମ ଧନ୍ଦା ସେ ।।୧୭।।

 

ଦୁତିକା ବଚନ ଶୁଣି ବେନୁପାଣି ଦୟା କରି ଆଜ୍ଞା ଦେଲେ

ଦିନ ଅବଶେଷେ ନିଶିରେ ଆଣି ଦେବି କହି ବିକଳ ହୋଇଲେ ସେ

ବସି ।

ଦେଲେ ବହନ ତାହାଙ୍କୁ ପେଶି ସେ

ଦଣ୍ଡ ଗଣୁଥିଲେ ଶୁଭ୍ରକେଶୀ ସେ

ଦୂତୀ ମିଳି କହେ ହସି ହସି ସେ ।।୧୮।।

 

ଧ୍ରୁବ କରି ତୋତେ ନେବାକୁ କହିଛି ଚାଲ ସଖୀ ଯିବା ଏବେ

ଧୂଳି ଲାଗି ଅଙ୍ଗ ଧୂସର ହୋଇଛି ସୁବେଶ ହୁଅ ଯା ଜବେ ଗୋ

ଏବେ ।

ଧାତିକାରେ ନଗଲେ ରୁଷିବେ ଗୋ

ଧରି ହୃଦେ ହୃଦ ଲଗାଇବେ ଗୋ

ଧୀରେ ଧୀରେ ସରୁ ଚୁମ୍ବ ଦେବେ ଗୋ ।।୧୯।।

 

ନିତ୍ୟକର୍ମ ସାରି ସୁବେଶ ହୋଇଣ ଶିରେ କବରୀ ଖଞ୍ଜିଲେ

ନାନା ଅଳଙ୍କାରେ ମଣ୍ଡନ ହୋଇଲେ ସ୍ୱର୍ଗୁ କି ଖସି ପଡ଼ିଲେ ସେ

ବାମା ।

ନବତରୁଣୀ କୁଳ ଚନ୍ଦ୍ରମା ସେ

ନାରାୟଣ ମନୋହାରୀ ରମା ସେ

ନାହିଁ ନୋହିବ କେ ଶୋଭା ସମା ସେ ।।୨୦।।

 

ଭାବାର୍ଥ- (୧୫-୨୦) ଦୂତିକା ଠାରୁ ଏପରି କଥା ଶୁଣି କୃଷ୍ଣ କହିଲେ- ଅଜାଙ୍କ ଝିଅ ଚନ୍ଦ୍ରସେଣାଙ୍କ ସ୍ତ୍ରୀ ମୋର ମାଇଁ ଅଟନ୍ତି । ଇଏ ବଡ଼ ଜଟିଳ କଥା । ଅସଧରେ ସେ ସଧ ହୋଇଛି । ସଂସାରରେ ଏମିତି କଥା କେବେ ଶୁଣା ନ ଥିଲା । ତେଣେ ସେ କିଶୋରୀ ବିପଦରେ ଘାରି ହୋଇ ମାତା ପାର୍ବତୀଙ୍କୁ ପ୍ରାର୍ଥନା କଲା । ତିଳ, ତଣ୍ଡୁଳ ଓ ବେଲପତ୍ରୀ ଦେଇ ଈଶ୍ଵରଙ୍କୁ ଆରାଧନା କଲା- “ହେ କୈଳାସବାସୀ, ଦିଗମ୍ବର, ହେ ଭବାନୀଶଙ୍କର ମୋତେ ତ୍ରାହି କର ।” କୃଷ୍ଣଙ୍କ କଥା ଶୁଣି ଦୂତିକା କ୍ଲାନ୍ତ ହୋଇ ପଡ଼ିଥିଲା । କିଛି ସମୟ ପରେ ପୁଣି ପଚାରିଲା- ସ୍ନେହକୁ ଥାପି ଦେଇ ସରଳା ଝିଅଟି କାହିଁକି ଦୁଃଖ ସହିଲା ? କପଟ ଶରଧା ବୁଝି ସେଇ ନିତମ୍ବିନୀ ରାଧା ସବୁ ନିନ୍ଦା ସହିଲା ।

 

ଦୂତିକାଠାରୁ ସମସ୍ତ କଥା ଶୁଣି କୃଷ୍ଣ ଦୟା କରି ଆଜ୍ଞା ଦେଲେ, ଦିନ ଶେଷରେ ରାତିରେ ଆଣିଦେବ ବୋଲି କହିଲେ । ତୁରନ୍ତ ତାଙ୍କୁ ପେଶି ଦେଲେ । ଶୁଭ୍ରକେଶୀ ରାଧା ଦଣ୍ଡ ଗଣୁଥିଲେ । ଦୂତୀତାଙ୍କୁ ମିଳି ହସି ହସି କହିଲେ- ହେ ସଖ, ଏବେ ଚାଲ ଯିବା, ତୋତେ ସଙ୍ଗରେ ନେଇଯିବା ପାଇଁ କହିଛନ୍ତି । ତୋର ଦେହରେ ଧୂଳିଲାଗି ଧୂସର ବର୍ଣ୍ଣ ହୋଇଛି । ଶୀଘ୍ର ନିଜକୁ ସଜାଡ଼ି ସୁବେଶ ହୁଅ । ଯିବାରେ ବିଳମ୍ବ ଘଟିଲେ ସେ ରୁଷିବେ । ତୁମକୁ ଦେଲେ ହୃଦୟରେ ଲଗାଇବେ । ଧୀରେ ଧୀରେ ତୁମ ଗାଲରେ ସରୁ ଚୁମ୍ବନ ଦେବେ । ଦୂତୀ ଠାରୁ ଏହା ଶୁଣି ରାଧା ନିତ୍ୟକର୍ମ ସାରି ସୁବେଶ ହେଲେ । ମୁଣ୍ଡରେ କବରୀ ଖଞ୍ଜିଲେ । ନାନା ଅଳଙ୍କାରରେ ନିଜକୁ ମଣ୍ଡିତ କଲେ । ତାଙ୍କୁ ଦେଖିଲା ପରେ ମନେ ହେଲା, ଅପସରୀଟିଏ ଯେମିତି ସ୍ୱର୍ଗରୁ ଖସି ପଡ଼ିଛି । ବାମା ନବ ତରୁଣୀ, କୁଳଚନ୍ଦ୍ରମା ସେ । ନାରାୟଣ ମନୋହାରୀ ରମା । ତାଙ୍କ ଶୋଭା ସହିତ ଅନ୍ୟ କେହି ସମାନ ହେବ ନାହିଁ ।

 

ପୂର୍ବ ଦିଗ ଭାନୁ ପଶ୍ଚିମକୁ ଗଲା ପ୍ରହରେ ହୋଇଲା ରାତି

ପଦ୍ମଲୋଚନୀ ମତ୍ତ ପିକ ବଚନୀ ପଚାରନ୍ତି ଶୁଣ ଦୂତୀ ଗୋ

ଯିବା ।

ପାନ ଭାଙ୍ଗି ତାଙ୍କୁ ଭୁଞ୍ଜାଇବା ଗୋ

ପାହିଗଲେ ରାତି କି କରିବା ଗୋ

ପର ଦେଖିଲେ ଲାଜ ପାଇବା ଗୋ ।।୨୧।।

 

ଫୁରୁଣା ହୋଇ ବେନି ସଖୀ ବାହାର ଚନ୍ଦ୍ର ରାତି ଦେଖି ଭାଳି

ଫାଇ କୋପ କରି ବୃଷଭାନୁ ଜେମା ଚନ୍ଦ୍ରକୁ ଦିଅନ୍ତି ଗାଳିରେ

ଶଶୀ ।

ଫଟା କପାଳକୁ ମୋର ଆସି ରେ

ଫଉଲାଇଛୁ ତୋ ଶୋଭାରାଶିରେ

ଫନ୍ଦା ରଖ ମୋର ମେଘେ ପଶି ରେ ।।୨୨।।

 

ବିଧୁ ବଦନୀ ଆଜ୍ଞା ପାଇଁ ଚନ୍ଦ୍ରମା କଳା ମେଘରେ ରହିଲା

ବ୍ରହ୍ମାଣ୍ଡଯାକ ଆଲୁଅ କାହିଁ ଗଲା ନିବିଡ଼ ଅନ୍ଧାର ହେଲା ସେ

ବାଳୀ ।

ବଡ଼ ହରଷେ ପଥରେ ଚଳି ସେ

ବାଟ କଢ଼ାଏ ତାଙ୍କୁ ବିଜୁଳି ସେ

ବୃନ୍ଦାବନ ମଧ୍ୟେ ଯାଇ ମିଳି ସେ ।।୨୩।।

 

ଭଗବାନ ଭେଟେ ବୃଷଭାନୁ ଜେମା ମନରେ ଆନନ୍ଦ ହୋଇ

ଭଜି ନ ପାରଇ ରାଧାକୃଷ୍ଣ ନାମ ଧୀବର ନାଥିଆ ବାଇ ଯେ

ପୁଣି ।

ଭେଟେ ହରଷେ ମୁରଲୀପାଣି ସେ

ଭୃଙ୍ଗ ଲଭିଲା ଯେହ୍ନେ ନଳିନୀ ସେ

ଭୋଖୀ ପାଇଲା କି ଅନ୍ନପାଣି ସେ ।।୨୪।।

 

ମାଧବୀଲତା ଉହାଡ଼ ତଳେ ଦୂତୀ ଅନ୍ତର ହୋଇ ରହିଲେ

ମର୍କତ ଚଉଁରା ଉପରେ ଶ୍ରୀକୃଷ୍ଣ ରାଧାଙ୍କୁ କୋଳେ ଧଇଲେ ସେ

ବେନି !

ମାନ ତେଜିଲେ ରମଣୀ ମଣି ସେ

ମନେ ହରଷ ମୃଗଲୋଚନୀ ସେ

ମଜ୍ଜିଗଲେ ଘେନି ଘେନାଘେନି ସେ ।।୨୫।।

 

ଭାବାର୍ଥ- (୨୧-୨୫) ପଶ୍ଚିମ ଆକାଶରେ ସୂର୍ଯ୍ୟ ଅସ୍ତଗଲେ । ରାତି ପ୍ରହରେ ହେଲା । ପଦ୍ମଲୋଚନୀ ରାଧା ଦୂତୀକୁ ପଚାରିଲେ । ଚାଲଯିବା, ପାନ ଭାଙ୍ଗି ତାଙ୍କୁ ଖୁଆଇବା । ରାତି ପାହିଗଲେ କିଛି କରିପାରିବା ନାହିଁ, ଲୋକଙ୍କୁ ଦେଲେ ଲାଜ ପାଇବା । ଦୁଇ ସଖୀ ରାଧା ଓ ଦୂତୀ ଆନନ୍ଦ ମନରେ ବାହାରିଲେ । ଚନ୍ଦ୍ରରାତିକୁ ଦେଖି ଚିନ୍ତାରେ ପଡ଼ିଲେ । ରାଧା କୋପରେ ଚନ୍ଦ୍ରକୁ ଗାଳି ଦେଲେ । ରେ ଶଶି, ମୋ ଫଟାକପାଳକୁ ତୁ ଆସି ତୋର ଶୋଭାରାଶି ଦେଖେଇ ହେଉଛୁ । ମୁଁ ତୋତେ ବିନତି ଜଣାଉଛି, ମେଘ ଭିତରେ ପଶି ମୋର ଇଜ୍ଜତ ରଖ । ଚନ୍ଦ୍ରବଦନୀର ଅନୁରୋଧରେ ଚନ୍ଦ୍ର କଳାମେଘ କୋଳରେ ଲୁଚିଗଲେ । ଜଗତଯାକରେ ଯେଉଁ ଆଲୁଅ ଥିଲା, ସେ ସବୁ ଚାଲିଯାଇ ଘନ ଅନ୍ଧକାର ହୋଇଗଲା । ଏଥିରେ ରାଧାଙ୍କ ମନ ଖୁସି କହିଲେ ନ ସରେ । ଖୁସି ମନରେ ସେ ଗନ୍ତବ୍ୟ ପଥରେ ଯାତ୍ରା କଲେ । ବେଳେ ବେଳେ ବିଜୁଳି ତାଙ୍କୁ ବାଟ ଦେଖାଉଥାଏ । ପରିଶେଷରେ ସେ ଯାଇ ବୃନ୍ଦାବନରେ ପହଞ୍ଚିଲେ ।

 

ଭଗବାନ କୃଷ୍ଣଙ୍କୁ ଭେଟି ରାଧା ଖୁବ୍ ଆନନ୍ଦିତା ହେଲେ । ରାଧାକୃଷ୍ଣ ନାମକୁ ଭଜି ନ ପାରି ଧୀବର ନାଥିଆ (କବି ଲୋକନାଥ ଧୀବର) ପାଗଳ ହୋଇଯାଇଛି । ପଦ୍ମଫୁଲକୁ ପାଇ ଭ୍ରମର ଖୁସି ହେଲା ଭଳି କୃଷ୍ଣଙ୍କୁ ପାଇ ରାଧା ଖୁସିରେ ନାଚିଲେ । ଭୋକିଲା ଲୋକଟିଏ ଅନ୍ନପାଣି ପାଇଲା ଯେମିତି । ରାଧାକୃଷ୍ଣଙ୍କ ଅପୂର୍ବ ମିଳନ ଦେଖିବା ପାଇଁ ଦୂତୀ ମାଧବୀଲତା ଉହାଡ଼ ତଳେ ଲୁଚି ରହିଲା । ମର୍କତ ଚଉରା ଉପରେ ଶ୍ରୀକୃଷ୍ଣ ରାଧାଙ୍କୁ କୋଳେଇ ନେଲେ । ଦୁହେଁ ଦୁହିଁଙ୍କୁ ପାଇ ପରସ୍ପରର ମାନ ଭଞ୍ଜନ କଲେ । ଉଭୟେ ହରଷ ମନରେ ପ୍ରେମରେ ମଜ୍ଜିଗଲେ ।

 

ଜଡ଼ାଜଡ଼ି ଠାଣି କହିତ ନୁହଇ ତମାଳ ବୃକ୍ଷେ କି ଲତା

ଜଳଧର କୋଳେ ଚପଳା ଖେଳିଲା ପରାୟେ ଦିଶେ ଶୋଭିତା ସେ

ଛବି ।

ଜମ୍ଭାରାତିମଣି ହେମ ଭାବି ସେ

ଜମ୍ଭୁ ନଦେ କି ତଦନ ଡୁବି ସେ

ଜମା କସ୍ତୁରୀ ହରିଦ୍ରା ଦ୍ରବି ସେ ।।୨୬।।

 

ଲପନ ସୁଧା ଶ୍ୟାମଘନ ଚାଖିଲେ ରାଧିକା ହୋଇ ପ୍ରବଳା

ରହି ଶ୍ୱେତ ପଦ୍ମ ମଧୁକର ଚୁମ୍ୱେ ମକରନ୍ଦ ପାନେ ଭୋଳା ସେ

ତହିଁ ।

ରାତ୍ର ଅର୍ଦ୍ଧ ପୁଣ ଅଛି ହୋଇ ସେ

ରସ ବିନୋଦ କଲେ ସେଠାଇଁ ସେ

ରବି ଚନ୍ଦ୍ର ଭେଟାଭେଟି ନାହିଁ ସେ ।।୨୭।।

 

ଲପନେ ଲପନ ଭୁଜେ ଭିଡ଼ାଭିଡ଼ି ହୃଦରେ ହୃଦ ଜଡ଼ିଲା

ଲକ୍ଷ୍ମୀ ନାରାୟଣ ରାସକ୍ରୀଡ଼ା ଦେଖି ରସ ବାରିଧି ବଢ଼ିଲା ସେ ।

ସୁଖ ।

ଲୋଭୀ ରସନା ରସନା ଯୋଖ ସେ

ଲାଜେ ପଳାଇଲା କାମ ଦୁଃଖ ସେ

ଲତା ନିକୁଞ୍ଜ ଦେଖି ପୁଲକ ସେ ।।୨୮।।

 

ବସନ ପହୁଡ଼ି ସୁବେଶ ସଜାଡ଼ି ଶ୍ରୀବୃନ୍ଦାବନେ ଖେଳିଲେ

ବନମାଳୀ ବିଧୁ ମୁଖୀଙ୍କି ଦୂତିକା ପରିହାସରେ ଭାସିଲେ ସେ

ଜାଣ !

ବଡ଼ ଅଟ ତ ତୁମ୍ଭେ ଦାରୁଣ ହେ

ବସିଅଛି ଗଣ୍ଡେ ସ୍ତନେ ଚିହ୍ନ ହେ

ବାରେ ଲିଭାଅ ମଧୁସୂଦନ ହେ ।।୨୯।।

 

ସରୋଜବଦନୀ ଶିରେ କର ଦେଇ ଶ୍ରୀକୃଷ୍ଣ ଛାମୁରେ ଭଣି

ଶାଶୂ ନଣନ୍ଦ ଗଞ୍ଜନ୍ତି ଯମୁନାକୁ ଯାଇଥିଲେ ନୀର ଆଣି ହେ

ବନ୍ଧୁ !

ସେ ଯେ ବାଛୁଆନ୍ତି ରାନ୍ଧୁ ରାନ୍ଧୁ ହେ

ଶଏ ଟାହି ବାଳ ବାନ୍ଧୁ ବାନ୍ଧୁ ହେ

ସରେ ନାହିଁ ଦିନ କାନ୍ଦୁ କାନ୍ଦୁ ହେ ।।୩୦।।

 

ଭାବାର୍ଥ- (୨୬-୩୦) ରାଧାକୃଷ୍ଣଙ୍କ ମିଳନ ଅପୂର୍ବ, ଅଲୌକିକ । ସେ ଦୁହିଁଙ୍କର ଭିଡ଼ାଭିଡ଼ି, ଜଡ଼ାଜଡ଼ି ଓ ଠାଣି ବର୍ଣ୍ଣନା କରିବାକୁ ଭାଷା ନାହିଁ । ତମାଳ ବୃକ୍ଷରେ ଲତା ଯେମିତି ଆଶ୍ରା ନେଇଛି । ନୀଳବର୍ଣ୍ଣ ମେଘ ଦେହରେ ବିଜୁଳି ଖେଳିଲା ପ୍ରାୟ ରାଧା, କୃଷ୍ଣଙ୍କ ଦେହରେ ଶୋଭା ପାଉଛନ୍ତି । ଜମ୍ଭାରତିମଣି (ଇନ୍ଦ୍ରମଣି) ସୁନା ଭାବିଲେ । ଲୋ ସ୍ୱର୍ଗ ନଦୀ ଭାବି ସେଥିରେ ଡୁବି ଗଲେ ଯେମିତି । କସ୍ତୁରୀ, ହରିଡ଼ା ରସ ମଧ୍ୟରେ ଦବିଗଲେ । ରାଧା ପ୍ରବଳା ହୋଇ ଶ୍ୟାମଘନ ଶ୍ରୀକୃଷ୍ଣଙ୍କ ମୁଖରୁ ଝରୁଥିବା ଅମୁତକ ଚାଖିଲେ ଅର୍ଥାତ୍ ତାଙ୍କ ଶ୍ରୀମୁଖରେ ଗାଢ଼ ଚୁମ୍ବନ ଦେଲେ । ମକରନ୍ଦ ପାନରେ ଭୋଳା ଭ୍ରମର ଶ୍ଵେତପଦ୍ମ ମଧ୍ୟରେ ରହି ଚୁମ୍ବନରେ ମଗ୍ନ ରହିଛି । ରାତ୍ର ଅର୍ଦ୍ଧ ହୋଇଛି । କୃଷ୍ଣ, ରାଧା ଦୁହେଁ ସେଠାରେ ରସବିନୋଦ କଲେ । ସେମାନେ ମୁଖକୁ ମୁଖ ଲଗାଇ, ଭୁଜକୁ ଭୁଜ ଭିଡ଼ାଭିଡ଼ି କରି, ହୃଦୟକୁ ହୃଦୟ ମିଶାଇଲେ । ଲକ୍ଷ୍ମୀନାରାୟଣଙ୍କ ରାସକ୍ରୀଡ଼ା ଦେଖି ରସସମୁଦ୍ର ବଢ଼ିଲା । ପୁଣି ଜିଭକୁ ଜିଭ ଲଗାଇ ସୁଖରେ ମାତିଲେ । ଏହା ଦେଖି କାମଦୁଃଖ ଲାଜରେ ପଳାଇଲା । ଲତାନିକୁଞ୍ଜ ଦେଖି ପୁଲକିତ ହୋଇ ଉଠିଲା ।

 

ବସନ ପାହୁଡ଼ି ସୁବେଶ ହୋଇ ଦୁହେଁ ଶ୍ରୀବୃନ୍ଦାବନରେ ରାସକ୍ରୀଡ଼ା କଲେ । ଦୂତୀ ପରିହାସରେ କୃଷ୍ଣଙ୍କୁ କହିଲା- ହେ ବନମାଳି, ତୁମେ ବଡ଼ ନିଷ୍ଣୁର, ଚନ୍ଦ୍ରବଦନୀର ଗାଲ ଓ ବକ୍ଷୋଜରେ ଦାନ୍ତ, ନଖଚିହ୍ନ ରହିଛି । ହେ ମଧୁସୂଦନ, ତୁରନ୍ତ ତାକୁ ଲିଭାଅ । ରାଧା ମୁଣ୍ଡରେ ହାତ ଦେଇ ଶ୍ରୀକୃଷ୍ଣଙ୍କୁ କହିଲେ- ହେ ନଟବର, ଯମୁନାକୁ ଜଳ ପାଇଁ ଗଲେ ଶାଶୂ, ନଣନ୍ଦ ଗଞ୍ଜଣା ଦେଉଛନ୍ତି । ରନ୍ଧାରେ ମନ୍ଦ ବାଛୁଛନ୍ତି । ବାଳ ବାନ୍ଧୁବାନ୍ଧୁ ଶହେ ଟାହିଟାପରା କରୁଛନ୍ତି । ତାଙ୍କ ଗାଳି, ନିନ୍ଦା, ଟାପରା ଶୁଣି ଶୁଣି ମୁଁ ଖାଲି କାନ୍ଦୁଛି । କାନ୍ଦୁ କାନ୍ଦୁ ଦିନ ସରୁ ନାହିଁ ।

 

ସହଜେ ସେ ଘେନି ଆସି ନ ପାରଇ ଲୋକ ଲାଜକୁ ମରଇ

ସୁରଭୀ ରଖି ମୁରଲୀ ବାଉଥାଅ ଝୁରି ମରୁଥାଇ ମୁହିଁ ହେ

ହରି ।

ସଖା ସୋଦର ନାହିଁ ମୋହରି ହେ

ସବୁଦିନେ ମୁଁ ଦାସୀ ତୁମ୍ଭରି ହେ

ସ୍ୱଚ୍ଛେ ସୁଦୟା ଥିବଟି କରି ହେ ।।୩୧।।

 

ସାରଙ୍ଗଧର ବୋଲନ୍ତି ସଖୀ ! ଆଗୋ ନ ଭାଳ ହୃଦ କମଳେ

ସ୍ନାନ ବେଳରେ କାଲି ଭେଟ ହୋଇବ କେଳି କଦମ୍ବର ମୂଳେ ଗୋ

ଯାଅ ।

ଶଶିମୁଖୀ ! ତୁ ପ୍ରାଣ ମୁଁ ଦେହ ଗୋ

ସର୍ବନିଧି ତୁ ମୁଁ ରଙ୍କ ପ୍ରାୟ ଗୋ

ସିନା ତୋ ଘେନି ମର୍ତ୍ତ୍ୟେ ମୋ ଦେହ ଗୋ ।।୩୨।।

 

ହଂସଗମନୀ ସଙ୍ଗେ ଘେନି ଦୂତୀଙ୍କି ଗୃହକୁ ଗମନ କଲେ

ହରି ବତ୍ସା ଘେନି ଗୋପାଳଙ୍କ ସଙ୍ଗେ ଗୋଷ୍ଠରେ ଯାଇଁ ରହିଲେ ସେ

ସ୍ୱାମୀ ।

ହର ନପାରନ୍ତି ଧ୍ୟାନେ ଗମି ସେ

ହୃଦ କଥା ଜାଣେ ଅନ୍ତର୍ଯ୍ୟାମୀ ସେ

ହର୍ତ୍ତା କର୍ତ୍ତା ଏକା ମହାକାମୀ ସେ ।।୩୩।।

 

କ୍ଷିତୀଶ୍ୱର ବ୍ରହ୍ମା ବ୍ରହ୍ମାଣ୍ଡ ଠାକୁର ନ ପାରନ୍ତି ଯାର ଭେଟ

କ୍ଷୀଣ ଲୋକନାଥ ଧୀବର ବୋଲଇ ନ ଦେଖି ପାଇଲି କଷ୍ଟ ମୁଁ

ପୁଣି ।

କ୍ଷୁଦ୍ରବୁଦ୍ଧି ଲେଖିଲି ନ ଜାଣି ମୁଁ

କ୍ଷୀର ସୁଧା ଭାଗବତ ବାଣୀ ମୁଁ

କ୍ଷମାନିଧି କ୍ଷମାକର ଶୁଣି ହେ ।।୩୪।।

 

ଭାବାର୍ଥ- (୩୧-୩୪) ହେ ମୁରଲୀଧର, ସହଜରେ ମୁଁ କିଛି କାମ କରିପାରୁନି, ପୁଣି ଲୋକ ଲଜ୍ଜାରେ ମରୁଛି । ଗାଈ ରଖି ମୁରଲୀ ବଜାଉଥାଅ, ତାହା ଶୁଣି ମୁଁ ପାଗଳୀ ହୋଇଯାଏ, ଝୁରି ମରୁଥାଏ । ହେ ହରି, ମୋର କେହି ସଖା, ସୋଦର ନାହାନ୍ତି । ତୁମେ କେବଳ ମୋର ସହାୟ । ସବୁଦିନେ ମୁଁ ତୁମର ଦାସୀ । ମୋତେ ନିର୍ମଳ ହୃଦୟରେ ଦୟା କରୁଥିବ । ରାଧାଙ୍କ ଠାରୁ ଏହା ଶୁଣି ସାରଙ୍ଗଧର କହିଲେ- ରେ ସଖି, ହୃଦପଦ୍ମ ମଧ୍ୟରେ କୌଣସି ଭାବନା ଆଣନାହିଁ । ଆସନ୍ତା କାଲି ସ୍ନାନ ସମୟରେ କେଳି କଦମ୍ବ ମୂଳରେ ଆମ ଦୁହିଁଙ୍କର ଭେଟ ହେବ । ହେ ଶଶିମୁଖି, ଏବେ ଫେରିଯାଅ । ଆମେ ଦୁହେଁ ଯୁଗଯୁଗ ଧରି ଏକ । ମୁଁ ଦେହ, ତୁମେ ପ୍ରାଣ । ତୁମେ ସର୍ବନିଧି, ମୁଁ ରଙ୍କ ପ୍ରାୟ । ତୁମ ଲାଗି ମୁଁ କେବଳ ଏ ମର୍ତ୍ତ୍ୟ ଭୂମିରେ ଅବତାର । ନେଇଛି, ଦେହ ଧାରଣ କରିଛି ।

 

କୃଷ୍ଣଙ୍କ ଠାରୁ ଏହା ଶୁଣି ରାଧା ଦୂତୀକୁ ସଙ୍ଗରେ ନେଇ ଘରକୁ ଫେରିଲେ । ହରି, ବତ୍ସାଙ୍କୁ ସଙ୍ଗରେ ନେଇ ଗୋପାଳଙ୍କ ସାଥିରେ ଗୋଷ୍ଠରେ ଯାଇ ରହିଲେ । ମହାଦେବ ଯାହାଙ୍କୁ ଧ୍ୟାନ କରି ପାଇ ପାରନ୍ତି ନାହିଁ, ସେ ଅନ୍ତର୍ଯ୍ୟାମୀ ସମସ୍ତଙ୍କ ହୃଦୟର କଥା ଜାଣନ୍ତି । ସେ ଜଗତର ହର୍ତ୍ତାକର୍ତ୍ତା, ମହାକାମୀ । ବେଦବର ବ୍ରହ୍ମା, ବ୍ରହ୍ମାଣ୍ଡ ଠାକୁର ଯାହାର ଭେଟ ପାଇପାରନ୍ତି ନାହିଁ । ତାଙ୍କୁ ମଣିଷ ଛାର ବା କେମିତି ପାଇବ ? କବି ଲୋକନାଥ ଧୀବର କହୁଛନ୍ତି- ପ୍ରଭୁଙ୍କୁ ନ ପାଇ ମୁଁ କେତେ କଷ୍ଟ ନ ପାଉଛି ? ପୁଣି ସେ ଲେଖୁଛନ୍ତି- “ମୁଁ କ୍ଷୁଦ୍ର ବୁଦ୍ଧିରେ ଏ ଗୀତ ଲେଖିଲି । ଭାଗବତର ଅମୃତବାଣୀ ମୁଁ ଜାଣେ ନାହିଁ । ହେ ପ୍ରଭୁ କ୍ଷମାନିଧି, ମୋତେ କ୍ଷମା କର ।