ରାଧାକୃଷ୍ଣ ମିଳନ ଚଉତିଶା

ରାଧାକୃଷ୍ଣ ମିଳନ ଚଉତିଶା

ସୁଦର୍ଶନ ପଟ୍ଟନାୟକ

 

(ସମ୍ଭବତଃ କବି ଊନବିଂଶ ଶତାବ୍ଦୀର ଶେଷ ଭାଗର । କବିଙ୍କ ସମ୍ପର୍କରେ ବିଶେଷ କିଛି ସୂଚନା ମିଳିନାହିଁ । ରାଧାକୃଷ୍ଣଙ୍କ ଅପୂର୍ବ ପ୍ରେମଲୀଳା, ବିଚ୍ଛେଦ ଓ ମିଳନ ଚଉତିଶାଟିରେ ଫୁଟିଉଠିଛି । ସୁନ୍ଦର, ସରଳ ଭାଷା, ମନୋହର ଶୈଳୀରେ ବର୍ଣ୍ଣିତ । କୃଷ୍ଣଙ୍କର ଅପୂର୍ବ ମହିମା ମଧ୍ୟ ଏଥିରେ ପ୍ରକଟିତ ।)

 

କହେ ରାଧା ବିମ୍ବାଧରୀ । କରେ ଦୂତୀକର ଧରି କିଶୋରୀ ଗୋ ।

ଆଣ ଆଣ ଯା କୁଞ୍ଜବିହାରୀ, ସଜନୀ ଗୋ ।୧।

କ୍ଷଣେ ବିଳମ୍ବ ନ କର । ଖାଇବି ଗରଳ ସତ୍ୟ ମୋହର ଗୋ

ବେଗେ ଆଣ ଯା ନନ୍ଦକୁମର, ସଜନୀ ଗୋ ।୨।

ଗଳାମାଳି ମୋର ନିଅ । ଗିରିବରଧାରୀ ଗଳାରେ ଦିଅ ଗୋ

ଶୁଭେ ପୁରକୁ ବିଜେ କରାଅ, ସଜନୀ ଗୋ ।୩।

ଘଡ଼ିଏ ନ ରହି ଚଳ । ଘନଶ୍ୟାମକୁଟି କହିବ ମୋର ଗୋ

ତାଙ୍କୁ କୋଟି କୋଟି ନମସ୍କାର, ସଜନୀ ଗୋ ।୪।

ଆଶା ମୋ ନାହିଁ କାହିଁରେ । ଆସିବାକୁ ପଥ ଚାହିଁଛି ଧୀରେ ଗୋ

ହଟା ହେଲେ ହେବ ଜଗତରେ, ସଜନୀ ଗୋ ।୫।

ଚିତ୍ତକୁ ମୁଁ ଦେଲି ବିକି । ଚାକର କରି ରଖନ୍ତୁ ଏଣିକି ଗୋ

ଯାଇ କହତୁ ବେଣୁପାଣିକି, ସଜନୀ ଗୋ ।୬।

ଛଇଳ ନାଗରବର । ଛାଡ଼ିଲେ ଛାଡ଼ନ୍ତୁ ମୁଁ ତ ତାଙ୍କର ଗୋ

ନିଶ୍ଚେ ପ୍ରାଣ ଗଲାଟି ମୋହର, ସଜନୀ ଗୋ ।୭।

 

ଭାବାର୍ଥ- (୧-୭) ବିମ୍ବାଧରୀ ରାଧା ଦୂତୀର ହାତ ଧରି କହିଲେ- ଲୋ କିଶୋରି, ତୁ ଯାଇ କୁଞ୍ଜବିହାରୀ ଶ୍ରୀକୃଷ୍ଣଙ୍କୁ ସଙ୍ଗରେ ନେଇଆଣ । ଲୋ ସଜନି, କ୍ଷଣେ ମାତ୍ର ବିଳମ୍ବ ନ କରି ତାଙ୍କୁ ଆଣିବ ନ ହେଲେ ବିଷ ଖାଇ ମରିବି, ଏ ମୋର ସତ୍ୟ । ମୋର ଗଳାରୁ ଗଳାମାଳି ନିଅ, ଗିରିଧର କୃଷ୍ଣଙ୍କ ଗଳାରେ ଦିଅ । ଶୁଭରେ ତାଙ୍କୁ ଏ ପୁରକୁ ନେଇଆସ । ସଜନି ଗୋ, ଏଥିପାଇଁ ଘଡ଼ିଏ ମଧ୍ୟ ବିଳମ୍ବ କର ନାହିଁ । ଘନଶ୍ୟାମକୁ ମୋର କୋଟି କୋଟି ନମସ୍କାର ଜଣାଇଦେବ । ସଜନି ଗୋ, ତାଙ୍କ ଆସିବା ପଥକୁ କେବଳ ଚାହିଁ ରହିଛି, ଅନ୍ୟଥା ମୋର ଆଉ କୌଣସିଟିରେ ଆଶା ନାହିଁ । ଜଗତରେ ହଟା ହେଲେ ହେବ, ମୋର ସେଥିକୁ ଭୟ ନାହିଁ ।

 

ଲୋ ସଜନି, ମୁଁ ତାଙ୍କ ପାଖରେ ନିଜକୁ ବିକି ଦେଇଛି । ମୋତେ ସେ ଚାକରାଣୀ କରି ରଖନ୍ତୁ, ମୋ ମନରେ ଦୁଃଖ ନାହିଁ । ଏ ବିଷୟ ତୁମେ ଯାଇ ବେଣୁପାଣି କୃଷ୍ଣଙ୍କୁ କୁହ । ମୋତେ ଯେତେ ହୀନ କରନ୍ତୁ ବା ଛାଡ଼ିଲେ ଛାଡ଼ନ୍ତୁ, ସେ ଛଇଳ ନାଗରବର ମୋର ସର୍ବସ୍ୱ । ତାଙ୍କ ବିନା ମୁଁ ବଞ୍ଚିପାରିବି ନାହିଁ ।

 

 

ଜାଣି ମୁଁ ନଥିଲି ତାଙ୍କୁ । ଜଗନ୍ମୋହନିଆ ମନ୍ତରିଆଙ୍କୁ ଗୋ

ବିହି ବିହିଛି ପ୍ରାଣ ନେବାକୁ, ସଜନୀ ଗୋ ।୮।

ଝୁରି ଝୁରି କ୍ଷୀଣ ତନୁ । ଝିମିଟେ ତା କଥା ନ ଯାଏ ମନୁ ଗୋ

ଶୁଣିଲାରୁ ତା ମୋହନ ବେଣୁ, ସଜନୀ ଗୋ ।୯।

ନିୟମ କରି କହୁଛି । ନ ରହିବ ଜୀବ ତାଙ୍କୁ ନ ଦେଖି ଗୋ

ମୁଁ ତ ନ ପାରେ ତାଙ୍କୁ ମୂରୁଛି, ସଜନୀ ଗୋ ।୧୦।

ଟାଣ ଭାଙ୍ଗିଲା ମଦନ । ଟଳି ପଡ଼ିବାକୁ ଅଛି ଜୀବନ ଗୋ

ଜଳ ବିହୀନେ ବଞ୍ଚେ କି ମୀନ, ସଜନୀ ଗୋ ।୧୧।

ଠାକୁରେ ନନ୍ଦ ଦୁଲାଳ । ଠାଠିକେ ସୁନ୍ଦର ମୟୂର ଚୂଳ ଗୋ

ଦେଖି ଶଚୀ ହେବେ ନିଶ୍ଚେ ଭୋଳ, ସଜନୀ ଗୋ ।୧୨।

ଡୋଳେ ମୁଁ ଦେଖିଲା ଦିନୁ । ଡିଙ୍ଗର ନାସିକା ସେ ଫୁଲଧନୁ ଗୋ

ଖଣ୍ଡ ଖଣ୍ଡ କଲା ଦିନୁ ଦିନୁ, ସଜନୀ ଗୋ ।୧୩।

ଢାଳେ ମୁଁ ହେଲି ନିରାଶା ଢାଳେ ବିହି କଲା ଭଗାରି ହସା ଗୋ

ତାହା ବିନୁ ନାହିଁ ଭରସା, ସଜନୀ ଗୋ ।୧୪।

ଅପବାଦ ହେଲେ ହେଉ । କୃଷ୍ଣଚନ୍ଦ୍ର ସଙ୍ଗେ ମୋ ଦିନ ଯାଉ ଗୋ

କଥା ଯୁଗେ ଯୁଗେ ରହିଥାଉ, ସଜନୀ ଗୋ ।୧୫।

 

ଭାବାର୍ଥ- (୮-୧୫) ସଜନ ଗୋ, ଆଗରୁ ମୁଁ ସେ ଜଗତମୋହିନିଆ, ମନ୍ତରିଆଙ୍କୁ ଜାଣି ନ ଥିଲି । ଜାଣିଲା ଦିନଠୁଁ ହଇରାଣ ହେଉଛି । ବିଧାତା ପ୍ରାଣ ନେବାକୁ ବସିଛି । ସେଇ କାଳିଆକାହ୍ନଙ୍କୁ ଝୁରି ଝୁରି ମୋ ଶରୀର କ୍ଷୀଣ ହେଲାଣି । କ୍ଷଣିକ ପାଇଁ ମଧ୍ୟ ତାଙ୍କ କଥା ମନରୁ ପାସୋର ଯାଉନାହିଁ । ତା’ ମୋହନ ବଂଶୀ ସ୍ଵର ଶୁଣିଲାଠୁଁ ମନ ଅଥୟ ହେଉଛି । ଗୋ ସଜନ, ମୁଁ ନିୟମ କରି କହୁଛି, ତାଙ୍କୁ ଘଡ଼ିଏ ନ ଦେଖିଲେ କାହାର ଜୀବନ ରହିବ ନାହିଁ । ମୁଁ ତାଙ୍କୁ ମୂର୍ଚ୍ଛି ପାରୁନାହିଁ । କନ୍ଦର୍ପ ମୋର ଟାଣପଣ ଭାଙ୍ଗି ଦେଲା । ତାଙ୍କୁ ଚାହିଁ ମୁଁ ବଞ୍ଚି ରହିଛି । ଜଳ ବିନା ମାଛ ବଞ୍ଚିରହି ପାରିବ କି ?

 

ଗୋ ସଜନି, ନନ୍ଦ ପୁତ୍ର ସାକ୍ଷାତେ ଜଗତର ଠାକୁର । ତାଙ୍କ ମସ୍ତକରେ ମୟୂରଚୂଳ ଶୋଭା ପାଉଛି । ତାଙ୍କୁ ଦେଖି ଶଚୀ ନିଶ୍ଚୟ ଭୋଳ ହୋଇଯିବେ । କୃଷ୍ଣଙ୍କୁ ମୁଁ ଦେଖିବା ଦିନରୁ, ଫୁଲଧନୁ ମୋତେ ଦିନକୁ ଦିନ ଖଣ୍ଡ ଖଣ୍ଡ କଲାଣି । ସଜନି ଗୋ, ମୁଁ ଏବେ ନିରାଶ ହୋଇ ପଡ଼ିଛି । ଏଣେ ଦଇବ ଭଗାରି ହସା କରୁଛି । ତାଙ୍କ ବିନା ମୋର କେହି ଭରସା ନାହାନ୍ତି । ମୋର ଅପବାଦ ହେଉପଛେ, କୃଷ୍ଣଚନ୍ଦ୍ରଙ୍କ ସଙ୍ଗରେ ମୋ ଦିନ ବିତିଯାଉ । ଏ କଥାଟା ଯୁଗେ ଯୁଗେ ରହିଥାଉ ।

 

ଏମିତି କହିବୁ ଦୂତୀ । ତ୍ରୈଲୋକ୍ୟନାଥ ସେ କି ନ ଜାଣନ୍ତି ଗୋ

ନାରିକେଳ ଫଳପରି ବୃତ୍ତି, ସଜନୀ ଗୋ ।୧୬।

ଥୟ ହେଉନାହିଁ ମନ । ଥରେ ଦେଲେ ତା ବଂଶୀସ୍ୱନ ଗୋ

ସେ କି ଜାଣେ କାଉଁରୀ ମୋହନ, ସଜନୀ ଗୋ ।୧୭।

ଦିନେ ମୁଁ ଯମୁନା ଜଳେ । ଦୁଇଭୁଜ ଯାଇ ଧରିଲି ବଳେ ଗୋ

ମୋର ଅଧରରେ କର ହେଲେ, ସଜନୀ ଗୋ ।୧୮।

ଧରି କର ଫିଙ୍ଗି ଦେଲି । ଧର୍ମ ନ ସହିବ ବୋଲି ବୋଇଲି ଗୋ

ତାଙ୍କୁ ଧିକ୍‌କାର ମୁଁ କେତେ କଲି, ସଜନୀ ଗୋ ।୧୯।

ନନ୍ଦ ନୃପତି ଶରଣ । ଗୋଦ୍ଧର ହୋଇଲେ କି ତୁମ୍ଭ ଟାଣ ହେ

ଶୁଣି ହୋଇଲେ କେତେ କାର୍ପଣ୍ୟ, ସଜନୀ ଗୋ ।୨୦।

ପଡ଼ିଲେ ମୋ ପାଦତଳେ । ପାଦଧୂଳି ନେଇ ବୋଲିଲେ ଶିରେ ଗୋ

ଯେତେ ବିନୟ ହୋଇ କହିଲେ, ସଜନୀ ଗୋ ।୨୧।

ଫାଙ୍କି କହିଲି ତାହାଙ୍କୁ । ଫଳ ଲୋଡ଼ୁଛକି ଲୋଧ ବୃକ୍ଷକୁ ହୋ

ଆଜି କହିବି ତୁମ୍ଭ ମାତାଙ୍କୁ, ସଜନୀ ଗୋ ।୨୨।

ବୋଲେ ଶୁଣ ସହଚରୀ । ବୋଇଲା ବୋଲୁ ନ କଲ କିଶୋରୀ ଗୋ

ଏବେ କିମ୍ପା ମରୁ ଝୁରି ଝୁରି, ସଜନୀ ଗୋ ।୨୩।

ଭାବବିନୋଦିଆ ହରି । ଭକତଙ୍କ ସଙ୍ଗେ ସେ ଦେହଧରି ଗୋ

ଭାବି ନ ପାଆନ୍ତି ବ୍ରହ୍ମଚାରୀ, ସଜନୀ ଗୋ ।୨୪।

 

ଭାବାର୍ଥ- (୧୬-୨୪) ରାଧା ପୁଣି ଦୂତୀକୁ କହିଲେ- ଗୋ ଦୂତ, କୃଷ୍ଣଙ୍କୁ ସବୁକଥା କହିବ । ସେ ତ ତ୍ରୈଲୋକ୍ୟନାଥ, ଏ କଥା କ’ଣ ଜାଣନ୍ତି ନାହିଁ ? ନାରିକେଳ ଫଳ ପରି ତାଙ୍କ କାମ । ବାହାରେ କଠିନ, ଭିତରେ କିନ୍ତୁ ରସପୂର୍ଣ୍ଣ । ଗୋ ସଜନ, ତାଙ୍କ ବଂଶୀସ୍ଵନ ଥରେ ଶୁଣି ଦେଲେ ମନ ଥୟ ହେଉନାହିଁ । ସେଥିରେ ଯେମିତି କାଉଁରୀ ମନ୍ତ୍ର ଅଛି । ସଜନ ଗୋ, ଦିନେ ମୁଁ ଯମୁନାର ଜଳ ମଧ୍ୟରେ ତାଙ୍କର ଦୁଇ ବାହୁକୁ ଭିଡ଼ି ଧରି ପକାଇଲି । ମୋ ଅଧରରେ ସେ ହାତ ଦେଇଦେଲେ । ସଜନ ଗୋ, ମୁଁ ରାଗରେ ତାଙ୍କ ହାତ ଧରି ଫିଙ୍ଗିଦେଲି । କହିଲି- ଏମିତି କର ନାହିଁ, ଧର୍ମ ସହିବନି । ତା’ ପରେ ତାଙ୍କୁ ଅନେକ ଧିକ୍‌କାର କଲି । ନନ୍ଦରାଜାଙ୍କୁ କହିବି । ତୁମଟାଣ ପଣ ଭାଙ୍ଗିଯିବ । ମୋ ଠାରୁ ଏହା ଶୁଣି ଶଙ୍କି ଗଲେ । ମୋ ପାଦ ତଳେ ପଡ଼ିଗଲେ । ପାଦ ଧୂଳି ନେଇ ଶିରରେ ବୋଳିଲେ । କେତେକ ବିନୟ ହୋଇ କହିଲେ, ସେ କଥା କ’ଣ କହିବି ?

 

ସଜନି ଗୋ, ଏତେ କରିବା ସତ୍ତ୍ୱ, ମୁଁ ତାଙ୍କୁ ଫାଙ୍କି କରି କହିଲି- ଆଜି ତୁମ ମାତାଙ୍କୁ କହିବି । ଦୂତୀ କହିଲା, ଲୋ ସଜନି, ସହଚରି, କହିଲା କଥା ଶୁଣିଲ ନାହିଁ, ଏବେ କାହିଁକି ଝୁରି ମରୁଛ ? ଭାବବିନୋଦିଆ ହରି ଭକତଙ୍କ ସଙ୍ଗରେ ଦେହ ଧରି ରହିଛନ୍ତି । ବ୍ରହ୍ମଚାରୀମାନେ ବି ତାଙ୍କ ରୂପକୁ ଭାବିପାରନ୍ତି ନାହିଁ ।

 

ମନରେ ତୋର ବିଚାର । ମାଇଲେ ଗୋପରେ ଯେତେ ଅସୁର ଗୋ

ବ୍ରହ୍ମା ଇନ୍ଦ୍ର ଗର୍ବ କଲେ ଚୂର, ସଜନୀ ଗୋ ।୨୫।

ଜୀବ ରଖ ଦେଇ ତାଙ୍କୁ । ଯାଅ ଯାଅ ସଖୀ କୁଞ୍ଜବନକୁ ଗୋ

ବରି ଆଣ ଯା ପ୍ରାଣଧନକୁ, ସଜନୀ ଗୋ ।୨୬।

ରାଧାର ଏ ବାଣୀ ଶୁଣି । ରସରେ ଭାଷନ୍ତି ଦୂତୀ କାମିନୀ ଗୋ

ବେଶ ହୁଅ ଯା ରମଣୀ ମଣି, ସଜନୀ ଗୋ ।୨୭।

ଲାବଣ୍ୟ ନିଧିକି ନେଇ । ନିକୁଞ୍ଜେ ଚଳିଲେ ଦୂତିକା ସହୀ ଗୋ

ଲକ୍ଷ୍ମୀପତିଙ୍କି ଭେଟିଲେ ଯାଇ, ସଜନୀ ଗୋ ।୨୮।

ବାଳା ଗଳା ମାଳି ନେଇ । ବନମାଳୀ କଣ୍ଠେ ଦୂତୀ ଲମ୍ବାଇ ଯେ

ରାଧା କହନ୍ତି ଜୁହାର ହୋଇ, ନାଗର ହେ ।୨୯।

ସତରେ ବିଜେ କରିବ । ସବୁ ଦୋଷ ତା’ର କ୍ଷମା କରିବ ହେ

ସେତ ନ ଜାଣେ କିସ କହିବ, ନାଗର ହେ ।୩୦।

 

ଭାବାର୍ଥ- (୨୫-୩୦) ରାଧା ପୁଣି କହିଲେ- ସଜନି ଗୋ, ମନରେ ବିଚାର କର । ଗୋପରେ କେତେ ଅସୁର ମାରିଲେ, ବ୍ରହ୍ମା, ଇନ୍ଦ୍ରଙ୍କ ଗର୍ବକୁ ଚୂର୍ଣ୍ଣ କଲେ । ସଖି ଗୋ, ଜୀବନ ଦେଇ ତାଙ୍କୁ ରଖ, କୁଞ୍ଜ ବନକୁ ଯାଅ । ମୋ ପ୍ରାଣଧନକୁ ବରଣ କରି ଆଣ ।

 

ରାଧାଙ୍କ ଠାରୁ ଏହା ଶୁଣି ଦୂତୀ ଆନନ୍ଦରେ କହିଲେ- ହେ ରମଣୀମଣି ଶୀଘ୍ର ବେଶ ହୁଅ । ଲାବଣ୍ୟନିଧି ରାଧାକୁ ସଙ୍ଗରେ ନେଇ ଦୂତୀ କୁଞ୍ଜବନକୁ ଚଳିଗଲେ । ସେଠାରେ କୃଷ୍ଣଙ୍କୁ ଭେଟିଲେ । ରାଧାଙ୍କ ଗଳାମାଳି ନେଇ ବନମାଳୀଙ୍କ ଗଳାରେ ଦୂତୀ ଲମ୍ବାଇ ଦେଲେ । ରାଧା କୃଷ୍ଣଙ୍କୁ ଜୁହାର ହୋଇ କହିଲେ- ହେ ନାଗର, ସତରେ ମୋ ସଙ୍ଗରେ ବିଜେ କରିବ ? ସବୁ ଦୋଷକୁ ତା’ର କ୍ଷମା କରିବ । ହେ ନାଗରମଣି, ସେ ତ କିଛି ଜାଣେ ନାହିଁ, କ’ଣ ବା କହିବ ?

 

ଶୁଣିଣ ଦୂତୀ ଭାରତୀ । ସ୍ନେହେ ବିଜେ କଲେ ସେ ଲକ୍ଷ୍ମୀପତି ଯେ

ରାଧାକୃଷ୍ଣଙ୍କୁ ଭେଟାଇ ଦୂତୀ, ସୁଜନେ ହେ ।୩୧।

ସରସ ହୃଦୟ ହୋଇ । ହରଷେ ରାଧାଙ୍କୁ କୋଳେ ବସାଇ ହେ

ରାଧାକୃଷ୍ଣଙ୍କ ମିଳନ ହୋଇ ସୁଜନେ ହେ ।୩୨।

ହରିଣ ନେତ୍ରୀକୁ ଧରି । ହରଷେ ଚୁମ୍ବନ ଦେଲେ ମୁରାରୀ ଯେ

ନାନାରସେ ପାହିଲା ଶର୍ବରୀ, ସୁଜନେ ହେ ।୩୩।

ଛାଡ଼ିଲେ ରାଧା ପଲଙ୍କ । ଛାର ସୁଦର୍ଶନ ପଟ୍ଟନାୟକ ହେ

ହାରିଗଲା ସେ ରସଦାୟକ, ସୁଜନେ ଯେ ।୩୪।

 

ଭାବାର୍ଥ- (୩୧-୩୪) ସମସ୍ତ କଥାଶୁଣି ଦୂତୀ ସ୍ନେହରେ ଯାଇ ରାଧାକୃଷ୍ଣଙ୍କୁ ମିଳନ କରାଇଲା । ସୁଜନ ହେ, ଏହା ପରେ କୃଷ୍ଣ ରସିକ ହୃଦୟ ହୋଇ ଆନନ୍ଦ ମନରେ ରାଧାଙ୍କୁ କୋଳରେ ବସାଇଲେ । ରାଧାକୃଷ୍ଣଙ୍କ ମିଳନ ଘଟିଲା । ହରିଣନେତ୍ରୀ ରାଧାଙ୍କୁ ସ୍ନେହରେ ଧରି କୃଷ୍ଣ ହରଷ ମନରେ ରାଧାଙ୍କୁ ଚୁମ୍ବନ ଦେଲେ ।

 

ଗୋ ସଜନି, ରାଧାକୃଷ୍ଣ ଦୁହେଁ ନାନା ରଙ୍ଗରସରେ ମାତି ରାତି ପୁହାଇଲେ । ରାତି ପାହିବାରୁ ରାଧା ପଲଙ୍କ ଛାଡ଼ିଲେ । ଛାର ସୁଦର୍ଶନ ଏହି ଚଉତିଶାକୁ ଶେଷ କଲେ ।