ପ୍ରେମ ଚିନ୍ତାମଣି ଚଉତିଶା

ପ୍ରେମ ଚିନ୍ତାମଣି ଚଉତିଶା

ସାଧୁଚରଣ ଦାସ

 

(ସାଧୁଚରଣ ଦାସ ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର କବି । ସେ ‘ଉଦେବାଖର’ର ରଚୟିତା । ଶ୍ରୀଭଗବତ୍‌ଗୀତାର ଓଡ଼ିଆ ଅନୁବାଦ ବି କରିଛନ୍ତି । ତାଙ୍କରି ନାଁରେ ଭଣତି ଥିବା ମାଳିକା ସୂତ୍ରରେ ରଚିତ କିଛି କବିତା ଦେଖିବାକୁ ମିଳେ । Descriptive Catalogue of Oriya manuscriptsରେ ଏ ବିଷୟ ସବୁ ଉଲ୍ଲେଖ ଅଛି । ରାଧାକୃଷ୍ଣଙ୍କ ଅପାର ଓ ଅଲୌକିକ ପ୍ରେମର ମହତ୍ତ୍ୱ ତଥା ମିଳନର ଚିତ୍ର ଚଉତିଶାଟିରେ ରହିଛି । କୃଷ୍ଣଙ୍କ ସାନ୍ନିଧ୍ୟ ପାଇଁ ରାଧାଙ୍କ ପ୍ରାଣର ଉତ୍ସୁକତା ଭାବ ଏଥିରେ ଆମେ ଦେଖୁ । ସରଳ, ସାବଲୀଳ ଭାଷା ଓ ମନୋରମ ଶୈଳୀରେ ଏହା ବେଶ୍ ରମଣୀୟତା ହାସଲ କରିଛି । କବିସୂର୍ଯ୍ୟ ସଦାନନ୍ଦ ବ୍ରହ୍ମାଙ୍କ ‘ପ୍ରେମ ଚିନ୍ତାମଣି’ ଅବଲମ୍ବନରେ କବି ଏହାକୁ ରଚନା କରିଛନ୍ତି ।)

 

କହଇ ନାଗରୀ ବର

କଉଁ ସଜନୀ ଆଗର

କାଢ଼ିଲି ଓଢ଼ଣା                  ହୋଇଲି ବାହାର

ଶ୍ୟାମବନ୍ଧୁ ହେଉ ମୋର ।।୧।।

ଖଳକୁ ନାହିଁ ମୋ ଡର

ଖଟିବି ଚରଣେ ତାର

ଖସିଲା ଖସଣି                  ଶର କି ରହଇ

ମୋ ମନ ହେଲାଣି ତାର ।।୨।।

 

ଗ୍ୟାନ ଧ୍ୟାନ ସବୁ ମୋର

ଗୋବିନ୍ଦ ନନ୍ଦ କିଶୋର

ଗୁପତେ ସିନା ମୁଁ                  ତୋତେ କହୁଅଛି

ପାପକୁ ନାହିଁ ମୋ ଡର ।।୩।।

ଘେନିଥା ମନରେ ଏତେ

ଘୋର ବିଜନ ବନସ୍ତେ

ଘନଶ୍ୟାମ ଚନ୍ଦ୍ର                  ମୁଖ ଦେଖୁଥିଲେ

ବୈକୁଣ୍ଠ ଛାର ବା କେତେ ।।୪।।

ନିଷ୍ଠା ଏହି କଥା ମୋର

ନ ପାଇ ନଟନାଗର

ନାରାୟଣ ପୁରେ                  ବାସ ନ ଯୋଗାଇ

ନରକେ ପଡ଼ିବା ସାର ।।୫।।

 

ଭାବାର୍ଥ- (୧-୫) କେଉଁ ଏକ ସଜନୀ ଆଗରେ ନାଗରୀ ବର ରାଧା କହିଲେ । ମୁଁ ଏବେ ଓଢ଼ଣା କାଢ଼ି ଘରୁ ବାହାର ହେଲି । ଶ୍ୟାମବନ୍ଧୁଙ୍କ ପାଖକୁ ଯିବି । ସେ ମୋର ହେବେ । ନିନ୍ଦା ଅପବାଦକୁ ମୋର ଡର ନାହିଁ । ତାଙ୍କ ଚରଣ ତଳେ ଖଟିବି । ହାତରୁ ଚାଲିଯିବା ଶର କ’ଣ କେବେ ଲେଉଟିବ ? ସେମିତି ମୋ ମନ ତାଙ୍କ ପାଖକୁ ଚାଲିଗଲାଣି । ତାଙ୍କର ଗୋଟାପଣେ ହୋଇ ସାରିଲାଣି । ରେ ସଜନି, ସେ ଗୋବିନ୍ଦ ନନ୍ଦକିଶୋର ମୋର ଜ୍ଞାନ, ଧ୍ୟାନ ସବୁ କିଛି । ଏ କଥା ବି ମନେ ରଖିଥା, ଗୁପ୍ତରେ ମୁଁ ତୋତେ କହୁଛି, ଶ୍ୟାମବନ୍ଧୁଙ୍କ ପାଖରେ ମୋ ମନ ଲାଗିଯାଇଛି । ପାପକୁ ମୋର ଡର ନାହିଁ ।

 

ରେ ସଜନି, ତୁ ଏ କଥା ବି ମନରେ ରଖିଥା, ଘୋର ନିର୍ଜ୍ଜନ ବନରେ । ଘନଶ୍ୟାମଙ୍କ ଚନ୍ଦ୍ରମୁଖ ଦେଖୁଥିଲେ ଜୀବନର ସବୁ ଦୁଃଖ ହଜିଯିବ । ତାଙ୍କ ସୁନ୍ଦର ମୁଖ ଆଗରେ ବୈକୁଣ୍ଠପୁର ବା କେତେ ? ମୋର ଏ କହିବା କଥା ଧ୍ରୁବସତ୍ୟ ବୋଲି ଜାଣ । ନଟନାଗରଙ୍କୁ ନ ପାଇଲେ ନାରାୟଣପୁରରେ ବାସ ମିଳିବ ନାହିଁ, ନରକରେ ପଡ଼ିବା ସାର ହେବ ।

 

ଚୂର୍ଣ୍ଣ କୁନ୍ତଳ ଆବୃତ

ଚନ୍ଦ୍ରବଦନ ମୋ କାନ୍ତ

ଚଉଦ ବ୍ରହ୍ମାଣ୍ଡ                  ଲୋକ ଛଡ଼ାଇଲେ

ଛାଡ଼ି ନ ପାରେ ମୋ ଚିତ୍ତ ।।୬।।

ଛଇଳ ଛବି ଛଟକ

ଛଡ଼ାଇଦେଲା ବିବେକ

ଛନ ଛନ ହୋଏ                  ମନ ଅବିଛନ

ହୃଦ ହୁଏ ଦକ ଦକ ।।୭।।

 

ଜଗମୋହନୀ ମନ୍ତର

ଜାଣନ୍ତି ମୂରଲୀଧର

ଯା ଗୀତରେ ଦ୍ରବ            ପାଷାଣ ହୋଅଇ

ପାଣି ହେବକି ପଥର ।।୮।।

ଝଟତି ପଲ୍ଲବ ତରୁ

ଝଟତି ପଲ୍ଲବେ ଦାରୁ

ଝାମଯାଇ ଉଡ଼ି                  ଗଲା ପକ୍ଷୀ ପଡ଼େ

କି ଛାର ଅବଳା ଭୀରୁ ।।୯।।

 

ନିବର୍ତ୍ତା ଉପରା ମୋତେ

ମୁଁ ଏବେ କହୁଛି ତୋତେ

ନିଜ ମନରୁ ତୁ                  ତୋହରି ପଚାର

କି ହୁଅଇ ବଂଶୀଗୀତେ ।।୧୦।।

ଟଳଇ ମେରୁ ମନ୍ଦର

ଟଳିବକି ବାଣୀ ମୋର

ଟମକ ନିଶାଣ                  ବାଜେ ତ୍ରିଭୁବନ

ରାଧା ହେଲେଣି କୃଷ୍ଣର ।।୧୧।।

 

ଭାବାର୍ଥ- (୬-୧୧) ରେ ସଜନି, ତାଙ୍କ ଚନ୍ଦ୍ର ବଦନ ଚୂର୍ଣ୍ଣକୁନ୍ତଳରେ ଆବୃତ ହୋଇଛି । ଅପୂର୍ବ କାନ୍ତିରେ ଶରୀର ଝଟକୁଛି । ତାଙ୍କୁ ଛାଡ଼ିବା ପାଇଁ ଚଉଦ ବ୍ରହ୍ମାଣ୍ଡର ଲୋକ କହିଲେ ମଧ୍ୟ, ମୋ ମନ ତାଙ୍କ ଠାରୁ ଅଲଗା ହେବ ନାହିଁ । ତାଙ୍କରି ଛଇଲ ଛଟକ ଛବି ମୋର ବୁଦ୍ଧି, ବିବେକକୁ ଛଡ଼ାଇ ଦେଇଛ । ମନ ନିରନ୍ତର ଛନ୍ନ ଛନ୍ନ ହୁଏ, ହୃଦୟଟା ଦକଦକ ହେଉଛି । ରେ ସଜନି, ସେ ମୁରଲୀଧର ଜଗମୋହିନୀ ମନ୍ତ୍ର ଜାଣନ୍ତି । ତାଙ୍କରି ବଂଶୀଗୀତରେ ତରଳ ପଦାର୍ଥ ପଥରରେ ପରିଣତ ହୋଇଯାଏ । ଶୀଘ୍ର ପତ୍ର ବୃକ୍ଷରେ ପରିଣତ ହୁଏ । ଆକାଶରେ ଉଡ଼ିଯାଉଥିବା ପକ୍ଷୀ ଝାମଯାଇ ପଡ଼ିଯାଏ । ଛାର ଅବଳା ନାରୀ କେତେ ?

 

ରେ ସଜନ, ତାଙ୍କ ଠାରୁ ଦୂରେଇ ରହିବାକୁ ମୋତେ ପରାମର୍ଶ ଦେଉଛୁ ପରା ? ତୁ ନିଜ ମନକୁ ପଚାର, ବଂଶୀର ଗୀତ କ’ଣ ବା ନ କରେ ? ସେଇ ମୋହନ ବଂଶୀ ସ୍ଵନରେ ମେରୁପର୍ବତ ଟଳିପଡ଼େ । ମୋର କଥା କେବେ ହେଲେ ଅନ୍ୟଥା ହେବ ନାହିଁ । ରାଧା କୃଷ୍ଣର ହେଲେଣି ବୋଲି ତିନି ଭୁବନରେ ଟମକ ବାଜୁଛି ।

 

ଠୂଳ ପୁରୁଷ ଉତ୍ତମ

ଠିକେ ରସିକ ରାୟେ ନାମ

ଠିକେ ସଦାନନ୍ଦ                  କବିସୂର୍ଯ୍ୟ ବ୍ରହ୍ମା

ଲଭିହେବ ପୂର୍ଣ୍ଣକାମ ।।୧୨।।

ଡୋଳା ଲଲାଟରେ ଖୋସି

ଡାକେ ମୁଖେଦେଇ ବଂଶୀ

ଡରିଲା ପରାୟେ                  ମିଛେ ବୋଲୁଥାଉଁ

ରଖ ମଲିଇଷି ଭାଷି ।।୧୩।।

 

ଢଳି ଢଳି ଚାଲୁଥାଇ

ଢାଳି ଢାଳି ଚାହୁଁ ଥାଇ

ଢମପଣ ଛାଡ଼ି            ଏହି ଘେନି ସିନା

ୟାପଛେ ହୋଇଲି ବାଇ ।।୧୪।।

ଅଳପ ନୋହେ ତା ବେଶ

ଆକ୍ଷି-ପକ୍ଷୀ ଅଠା ରସ

ଅନୁରାଗୀ ଲୋକ            ଛାଡ଼ି ପାରଇକି

କୁଳଯାଉ ପଛେ ନାଶ ।।୧୫।।

 

ତମାଳନୀଳ କୁନ୍ତଳ

ତଥିବନ୍ଧା ବାଙ୍କଚୂଳ

ତହିଁ ମୟୂରଚନ୍ଦ୍ରିକା            ଜାମୁଡାଳି

ମଣ୍ଡଣି କୁସୁମମାଳ ।।୧୬।।

ଥୋଇଥା ଗଣ୍ଠି ବସନେ

ଥିଲେ ଦେଖୁନୁ ନୟନେ

ଥିବ ଦେଖି କେହି            କୁଳେ ବ୍ରଜବାଳୀ

ଜାଣିବି ଅଳପ ଦିନେ ।।୧୭।।

ଦିଶେ ଅଳକାମଣ୍ଡଳି

ଦିବ୍ୟମୋତିପନ୍ତି ମିଳି

ଦୁଇପାଖ ଘେନି                  ଧାଡ଼ି ଧାଡ଼ିକିଆ

ପତ୍ରଦିଏ ଧୈର୍ଯ୍ୟ ଟାଳି ।।୧୮।।

 

ଭାବାର୍ଥ- (୧୨-୧୮) ରେ ସଜନି, ସେ ହେଉଛନ୍ତି ପୁରୁଷ ଉତ୍ତମ । ତାଙ୍କର ଅନ୍ୟ ନାମ ରସିକଶେଖର । ତାଙ୍କୁ ପାଇ ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ମନସ୍କାମନା ପୂର୍ଣ୍ଣ ହେବ । ଡୋଳାକୁ ଲଲାଟରେ ଖୋଷିଦେଇ ମୁଖରେ ବଂଶୀ ଲଗାଇ ସେ ଫୁଙ୍କନ୍ତି । ଏହା ଶୁଣି ଡରିଲା ପ୍ରାୟ ମିଛରେ ମଲି ମଲି ବୋଲି କହୁ । ସେ ଢଳିଢଳି ଚାଲୁଥା’ନ୍ତି, ଏ ପଟକୁ ସେ ପଟକୁ ଢାଳିଢାଳି ଚାହୁଁଛନ୍ତି । ଏଥିପାଇଁ ମୁଁ ମୋର ଢମପଣ ଛାଡ଼ି ତାଙ୍କରି ପଛରେ ବାୟାଣୀ ପରି ଧାଇଁଛି । ତାଙ୍କ ବେଶ ବେଶ୍ ଚମତ୍କାର । ସ୍ନେହରେ ତାଙ୍କୁ ଯିଏ ଥରେ ଦେଖିବ, କୁଳ ପଛେ ନାଶ ଯିବ, ଛାଡ଼ି ପାରିବନି ।

 

ରେ ସଜନି, ତାଙ୍କ ବେଶ ଏତେ ସୁନ୍ଦର ଯେ, ଥରେ ଦେଖିଦେଲେ ମନ ଲାଖିଯିବ । ତମାଳ ନୀଳକୁନ୍ତଳ, ବାଙ୍କଚୂଳ, ତହିଁରେ ମୟୂରଚନ୍ଦ୍ରିକା, ଜାମୁଡାଳି, କୁସୁମମାଳ । ତାଙ୍କୁ ନିରେଖି ଦେଖ, କୁଳରେ କେହି ବ୍ରଜବାଳୀ ଦେଖିଥିବ, ଅଳ୍ପ ଦିନରେ ଜାଣିବି । କେଶରାଶି ଚମତ୍କାର, ଦିବ୍ୟ ମୋତିପନ୍ତି ଯେମିତି ମିଳିଛନ୍ତି, ଧାଡ଼ି ଧାଡ଼ିକିଆ ପତ୍ର ସବୁ ଧେର୍ଯ୍ୟକୁ ଟାଳି ଦେଉଛି ।

 

 

ଧନ୍ୟ ତା ଚନ୍ଦନପାଟି

ଧୈର୍ଯ୍ୟତରୁ ଦିଏ କାଟି

ଧରିବ କେ ଦେହ            ତାଙ୍କୁ ନ ଦେଖିଲେ

ତ୍ରୁଟିହୋଏ ଯୁଗକୋଟି ।।୧୯।।

ନାଗରୀ ଗର୍ବଗଞ୍ଜନ

ନୟନେ ସରୁଅଞ୍ଜନ

ନୂଆ ନୂଆ ବାଙ୍କ                  ଚାହାଣୀ ତହିଁରେ

କିସେ ନାଟୁଆ ଖଞ୍ଜନ ?।।୨୦।।

 

ପରପାଇଁ ଦେଲି ପ୍ରାଣ

ପତାକା ବାନ୍ଧିଲି ଜାଣ

ପୁରୁଣା ପ୍ରୀତିୟା                  ଥିଲେ କି ପଚାର

ପ୍ରୀତିର କେତେ ଲକ୍ଷଣ ।।୨୧।।

ଫନ୍ଦା ମୁଁ କଲି ତାହାକୁ

ଫେଡ଼ି କହିଲି ମନକୁ

ଫିଟିପଡ଼ିଲା            ନିଜଧନ ପାଣିରେ

ଫୋଡ଼େ କାମଶର ବୁକୁ ।।୨୨।।

 

 

ବିମ୍ବାଧରେ ମନ୍ଦହାସ

ବକ୍ଷସ୍ଥଳ ଶୋଭାଦେଶ

ବୁଜୁ ଲାକି(?)            ମାରଣା ତା ଆଖି

ମନୁଲୁଟିକଲେ ରସ ।।୨୩।।

ଭୁଜ ମର୍କତ ବଲ୍ଲରୀ

ଭୁବନ ମଙ୍ଗଳକାରୀ

ଭଣେ କବିସୂର୍ଯ୍ୟ                  ସେ ବନ୍ଧା ପାଇବେ

କଲେ ରାଧା ଶୋଭା ଚୋରି ।।୨୪।।

ମନା କରୁପରା ମୋତେ

ମୁଁ ଏବେ କହୁଛି ତୋତେ

ମୋହନଚାନ୍ଦଙ୍କୁ                  ମୁରୁଛା ମନ୍ତର

କେ ଜାଣେ କହ ଜଗତେ ।।୨୫।।

 

ଭାବାର୍ଥ- (୧୯-୨୫) ରେ ସଜନି, ଧନ୍ୟ ତାଙ୍କର ସୁନ୍ଦର ଚନ୍ଦନପାଟି, ଦେଖିଲେ ମନ ମୋହୁଛି । ଧୈର୍ଯ୍ୟ-ତରୁ କାଟି ହୋଇଯାଉଛି । ତାଙ୍କୁ ନ ଦେଲେ କିଏ ବା ଦେହ ଧରିବ କହିଲୁ ? କୋଟିକୋଟି ଯୁଗ ପାଇଁ ଦୋଷ ଲାଗିବ । ନାଗରୀମାନଙ୍କର ଗର୍ବଗଞ୍ଜନକାରୀ ସିଏ । ଚକ୍ଷୁରେ ତାଙ୍କର ସରୁ ଅଞ୍ଜନ, ସେଥିରେ ପୁଣି ନୂଆନୂଆ ବାଙ୍କ ଚାହାଁଣି-ଭଲା ମାନୁଛି ତାଙ୍କୁ । ପର ପାଇଁ ଜୀବନ ଦେଇଛି, ନିନ୍ଦା, ଅପବାଦର ପତାକାକୁ ଦେହରେ ବାନ୍ଧିଛି । ପ୍ରୀତି କରିବାରେ ଯେଉଁମାନେ ନିପୁଣ, ପ୍ରୀତିର ଲକ୍ଷଣ କେତେ ମହାନ୍ ତାଙ୍କୁ ପଚାରିବୁ । ତାଙ୍କୁ ମୁଁ ନିଜର କରିଛି । ସେ ମୋର ସବୁ କିଛି । ମୋ ମନର କଥା ତୋ ଆଗରେ ଫେଡ଼ି କହୁଛି । ରେ ସଜନି, ମୋ ପାଖରେ ଯେଉଁ ଯୌବନ-ଧନ ଥିଲା, ସେ ସବୁ ଫିଟିଯାଇ ପାଣିରେ ପଡ଼ିଲା । ଏବେ କାମଶର ମୋ ବୁକୁକୁ ଫୋଡ଼ି ପକାଉଛି ।

 

ରେ ସଜନି, ତାଙ୍କ ବିମ୍ବରୂପକ ଅଧରରେ ମନ୍ଦହାସ ଦେଖିଲେ କାହା ହୃଦୟ ଉଲ୍ଲସିତ ନ ହେବ କହିଲୁ ? ତାଙ୍କ ବକ୍ଷସ୍ଥଳ ଶୋଭାମୟ । ତାଙ୍କ ଆଖିରେ ଏତେ ତେଜ ଭରି ରହିଛି ଯେ, ମାରଣା ଆଖି ପରି ମନେ ହେଉଛି । ମନ ଭିତରୁ ରସ ଲୁଟି ନେଇଛନ୍ତି । ତାଙ୍କର ଭୁଜ ଦ୍ୱୟ ଏତେ ମନୋହର ଯେ, ଆଖି ଖୋଷି ହୋଇଯାଉଛି । ମର୍କତର ଲତା ଭଳି ତାହା ପ୍ରତୀୟମାନ ହୁଏ । ଏ ଜଗତର ମଙ୍ଗଳକାରୀ ସେ । କବିସୂର୍ଯ୍ୟ ବ୍ରହ୍ମା ଭଣତି କରି କହୁଛନ୍ତି- ଯିଏ ରାଧାଙ୍କ ଶୋଭା ଚୋରି କରିବ, ସିଏ ବନ୍ଧା ପାଇବ । ଲୋ ସଜନି, ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ପାଇଁ ମୋତେ ମନା କରୁଛୁ ପରା ? ଏ ସମ୍ବନ୍ଧରେ ତୋତେ କହୁଛି ଶୁଣ, ମୋହନଚାନ୍ଦଙ୍କୁ ମୂରୁଛା ମନ୍ତର ଜଣା । ଜଗତରେ ଏ କଥା କେତେ ଜଣ ଜାଣିଛନ୍ତି, କହିବୁ କି ?

 

ଜୀବନ ବନ୍ଧୁ କାଳିଆ

ଯମୁନା ଜଳକୂଳିଆ

ଜଗିବସିଥାଇ            ମୋ ଭେଟପାଇଁକି

ଦେଖି ଚମକେ ମୋ ହିଆ ।।୨୬।।

ରତନହାର କଙ୍କଣ

ରବିକିରଣୁ ଦ୍ୱିଗୁଣ

ରହି ତା ଶ୍ରୀଅଙ୍ଗେ            ଶୋଭା ରଙ୍ଗପାଦ

ଚିହ୍ନକୁ ଶୋଭାପାଇଣ ।।୨୭।।

 

ଲାବଣ୍ୟ ଶ୍ରୀଅଙ୍ଗ ତାର

ଲାଗି ତହିଁ ପୀତାମ୍ବର

ଲଳନା ମନମତ୍ତ                  କରୀ ପଡ଼ନ୍ତି

ଲାଭି ଟୋପରେ ତାହାର ।।୨୮।।

ବିଚିତ୍ର ପାହୁଡ଼ ପାଦେ

ବାଜେଣୀ ନୂପୁର ନାଦେ

ବଣହୋଇ ମୋର            ବିବେକ ଚଢ଼ାଇ

ହୁରୁଡ଼ିଗଲେ ବିଷାଦେ ।।୨୯।।

 

ଭାବାର୍ଥ- (୨୬-୨୯) ରେ ସଜନି, ସେ ମୋର ଜୀବନବନ୍ଧୁ, କାଳିଆ, ଯମୁନାଜଳ କୂଳିଆ । ସବୁଦିନେ ମୋତେ ଭେଟିବା ପାଇଁ ଜଗି ବସିଥା’ନ୍ତି । ତାଙ୍କୁ ଦେଖିଲେ ମୋ ଛାତି ଚମକି ପଡ଼ୁଥାଏ । ତାଙ୍କ କଣ୍ଠରେ ରତ୍ନର ହାର, ହାତରେ ସୁବର୍ଣ୍ଣ କଙ୍କଣ ସୂର୍ଯ୍ୟକିରଣ ଠାରୁ ଦୁଇଗୁଣ ଝଟକୁଛି । ତାଙ୍କରି ଶ୍ରୀଅଙ୍ଗକୁ ଏହା ଅଧିକ ଶୋଭାମୟ କରୁଛି । ଅପରୂପ ଲାବଣ୍ୟରେ ତାଙ୍କର ଶ୍ରୀଅଙ୍ଗ ପୂରି ଉଠିଥିବା ବେଳେ ଜାନୁ ଦେଶରେ ପୀତବସନ ନୀଳ ଆକାଶରେ ବିଦ୍ୟୁତ୍‌ର ଶୋଭା ପ୍ରକାଶ କରୁଛି । ତାଙ୍କୁ ଦେଖି ନବ ଯୁବତୀମାନଙ୍କର ମନ ମତ୍ତହସ୍ତୀ ତାଙ୍କ ଟୋପରେ ପଡ଼ିଯାଉଛି । ତାଙ୍କ ବିଚିତ୍ର ପାହୁଡ଼ ପାଦରେ ନୂପୁର ନାଦ ସଭିଙ୍କ ମନ, ହୃଦୟକୁ ମୋହିତ କରୁଛି । ସେ ଅପୂର୍ବ ନାଦରେ ମୋର ବିବେକ ବଣା ହୋଇ ଯାଉଛି । ମନରେ ବିଷାଦ ଭରି ଯାଉଛି ।

ଶରଣଗଲି ପ୍ରମାଣ

ଶ୍ୟାମବନ୍ଧୁ ଶ୍ରୀଚରଣ

ସେ ଯେବେ ଛାଡ଼ିବେ            ମୁଁ ଯେ ନ ଛାଡ଼ଇ

ସେ ବିନା କେ ପରିତ୍ରାଣ ।।୩୦।।

ସେ ଦିନେ ଯେତେ ମୋ ଦୋଷ

ସେ କ୍ଷମା ହେବ ଅବଶ୍ୟ

ସର୍ବ ଗର୍ବଖର୍ବ                  ହୋଇଲା ମୋହର

ଛାଡ଼ିଲିଣି ସବୁ ଆଶ ।।୩୧।।

 

ସବୁ ଜନ୍ମରେ ମୁଁ ତାର

ସେହି ପ୍ରାଣନାଥ ମୋର

ଶୁଣୁଥିଲୁ ଋଷି                  କହିଗଲେ ପରା

ମୁଁ ସେ ଈଶ୍ୱରୀ ଈଶ୍ୱର ।।୩୨।।

ହୋଉନୋହୁ ଭଗବାନ

ହେଲେ ଅଧିକ ନିଊନ

ହରିଣାଙ୍କ ବିନା                  ଚାତକୀର ଗତି

କାହିଁକି ସେ ମୋତେ ସ୍ଥାନ ।।୩୩।।

କ୍ଷେମେ ରସିକରା ରସ

କ୍ଷିତିରେ ହେଉ ପ୍ରକାଶ

ଖ୍ୟାତ ପ୍ରେମ ଚିନ୍ତା-            ମଣି ଗୀତ ନାମ

ମୁଁ ସାଧୁଚରଣ ଦାସ ।।୩୪।।

 

ଭାବାର୍ଥ- (୩୦-୩୪) ରେ ସଜନି, ଶ୍ୟାମବନ୍ଧୁ ମୋର ପ୍ରାଣ । ତାଙ୍କ ଶ୍ରୀଚରଣରେ ଶରଣ ଯାଇଛି, ଏହା ସତ୍ୟ । ସେ ମୋତେ ପରିତ୍ୟାଗ କଲେ ମଧ୍ୟ ମୁଁ ତାଙ୍କୁ ଛାଡ଼ି ପାରିବି ନାହିଁ । ତାଙ୍କ ବିନା ମୋର ପରିତ୍ରାଣ କାହିଁ ? ଯାହା କିଛି ମୋର ଦୋଷ ହୋଇଛି, ଅବଶ୍ୟ ସେ କ୍ଷମା କରିଦେବେ । ମୋ ମନରେ ଯେଉଁ ଗର୍ବ, ଅହଙ୍କାର ଥିଲା, ତାହା ଖର୍ବ ହୋଇଛି । ସବୁ ଆଶା ଛାଡ଼ି ତାଙ୍କ ପାଖରେ ଆଶ୍ରା କରିଛି ।

 

ରେ ସଜନ, ତୁ ଏ କଥାକୁ ମନରେ ରଖିଥା, ସବୁ ଜନ୍ମରେ ମୁଁ ତାଙ୍କର ହୋଇ ରହିଛି, ରହିବି । ସେ ମୋର ପ୍ରାଣନାଥ, ମୁଁ ତାଙ୍କର ପ୍ରାଣ ସଙ୍ଗିନୀ । ତୁ ଶୁଣିଥିଲୁ ପରା, ଋଷି କହିଯାଇଥିଲେ, ମୁଁ ଈଶ୍ଵରୀ ଓ ସେ ଈଶ୍ୱର । ସେ ଭଗବାନ ହୁଅନ୍ତୁ ବା ନ ହୁଅନ୍ତୁ, ସେଥିରେ ମୋର ଯାଏ ଆସେ ନାହିଁ । ଚନ୍ଦ୍ରବିନା ଚାତକର ଗତି କେଉଁଠି ରହିବ ? ତାଙ୍କ ବିନା ମୋ ସ୍ଥାନ କାହିଁ ? ଏହି ପ୍ରେମ ରସ ଜଗତରେ ପ୍ରକାଶ ପାଉ । ପ୍ରେମ ଚିନ୍ତାମଣି ଗୀତ ବିଖ୍ୟାତ ଲାଭ କରୁ । କବି ସାଧୁଚରଣ ଦାସ ଏହାକୁ ଗୀତରେ ଭଣିଲେ ।