କୃପାସିନ୍ଧୁ ପାଦେ କର ଭକତି

କୃପାସିନ୍ଧୁ ପାଦେ କର ଭକତି

ସିଦ୍ଧସାଧୁ ବାମନ ବାବା

 

(କବିଙ୍କର ଏହା ଅନ୍ୟତମ ଉତ୍କୃଷ୍ଟ ମନଃଶିକ୍ଷାମୂଳକ ବା ନୀତିଶିକ୍ଷା ମୂଳକ ଚଉତିଶା । ଏହାରି ମାଧ୍ୟମରେ ସେ ଜଗତବାସୀଙ୍କୁ ଶ୍ରୀଗୁରୁଙ୍କ ଚରଣ ତଳେ ନିଜକୁ ଢାଳି ଦେବା ପାଇଁ ନିବେଦନ କରିଛନ୍ତି । ଚଉତିଶାଟିରେ ପ୍ରଭୁଙ୍କ ଅପାର ମହିମା ପ୍ରକାଶ ପାଇଛି । ମହିମା ନାମକୁ ନିରନ୍ତର ଭଜନ କରି ମାୟା ମୋହକୁ ହୃଦୟରୁ ପରିତ୍ୟାଗ କରିବାକୁ କବିଙ୍କ ଆହ୍ୱାନ ଏଥିରେ ରହିଛି ।)

 

କୃପାସିନ୍ଧୁ ପାଦେ କର ଭକତି । କଟିବ ଅକାଳ ମାୟା ବିପତ୍ତି ।୧।

କ୍ଷମା ନିଧିଙ୍କି ଦୃଢ଼େ ଆଶ୍ରେ କର । ଖଣ୍ଡନ ହେବ ଅପରାଧ ଭାର ।୨।

ଗୁରୁ ଚରଣରେ ଚିତ୍ତ ଖଟାଅ । ଗତି ମୁକତି ପାଇବ ନିଶ୍ଚୟ ।୩।

ଘୋଟିଅଛନ୍ତି ତ୍ରିପୁର ଜଗତେ । ଘେନ ଗୁରୁ ପାଦ ରେଣୁକୁ ମାଥେ ।୪।

ଅନ୍ତର୍ଯ୍ୟାମୀ ଅଟନ୍ତି ଗୁରୁଦେବ । ଉଦ୍ଧାର କରିବେ ଏ ଭବାର୍ଣ୍ଣବ ।୫।

ଚିନ୍ତାମରି ଚରଣେ କର ଭାବ । ଚିରକାଳ ଦୁର୍ଗତିରୁ ତରିବ ।୬।

ଛଡ଼ ବେଦପରେ ତାଙ୍କ ଉଦୟ । ଛାତି ଦମ୍ଭ କରି କର ହେ ଲୟ ।୭।

ଜୀବ କରତା ଅଟନ୍ତି ଶ୍ରୀଗୁରୁ । ଯତନେ ଭଜ ବାଞ୍ଝା କଳ୍ପତରୁ ।୮।

ଝାସ ତ୍ରିତାପ ହୋଇବ ଦହନ । ଝର ପାନେ ମନ କଲେ ନିମଗ୍ନ ।୯।

ନିଜ ବ୍ରହ୍ମେ ହୋଇଲେ ଆଜ୍ଞାବର୍ତ୍ତୀ । ପଡ଼ିବ ନାହିଁ ଅକାଳ ବିପତ୍ତି ।୧୦।

ଟାଣେ ନାମକୁ ଆଶ୍ରେ କର ସର୍ବେ । ଟଳି ନ ପଡ଼ିବ ଏ ଭବାର୍ଣ୍ଣବେ ।୧୧।

ଠାକୁରଙ୍କ ପାଦେ କର ଭକତି । ଠିକେ ଭାବି କହେ ବାମନ ଯତି ।୧୨।

 

ଭାବାର୍ଥ- (୧-୧୨) କବି ଜଗତବାସୀଙ୍କୁ ନିବେଦନ କରି କହିଛନ୍ତିରେ ମନ, କୃପାସିନ୍ଧୁ ଜଗତକରତାଙ୍କ ପାଦତଳେ ଭକ୍ତି ଭାବ ଅଜାଡ଼ି ଦିଅ । ସେ ତୁମର ଅକାଳ ମାୟା ବିପତ୍ତିକୁ ଖଣ୍ଡନ କରିବେ । କ୍ଷମାନିଧି ସେ । ତାଙ୍କୁ ଦୃଢ଼ ଭାବରେ ଆଶ୍ରା କର, ଅପରାଧ ଭାର ତୁମର ଦୂର ହେବ । ଗୁରୁଙ୍କ ଚରଣ ତଳେ ମନ ଦିଅ, ନିଶ୍ଚୟ ଗତି ମୁକ୍ତି ପାଇବ । ପ୍ରଭୁ ପରଂବ୍ରହ୍ମ ତିନି ଲୋକରେ ପରିବ୍ୟାପ୍ତ ହୋଇଛନ୍ତି । ଗୁରୁଙ୍କ ପାଦରେଣୁକୁ ମୁଣ୍ଡରେ ଲଗାଅ । ଗୁରୁଦେବ ସାକ୍ଷାତରେ ଅନ୍ତର୍ଯ୍ୟାମୀ ପୁରୁଷ । ତାଙ୍କୁ ପ୍ରାର୍ଥନା କର । ସେ ନିଶ୍ଚୟ ଏ ଭବସାଗରରୁ ଉଦ୍ଧାର କରିବେ । ଚିନ୍ତାମଣି ପ୍ରଭୁ ସେ । ତାଙ୍କ ପାଦ ତଳେ ଭାବ ରଖ । ଚିରକାଳ ଦୁର୍ଗତିରୁ ସେ ରକ୍ଷା କରିବେ ।

 

ରେ ମନ, ଷଡ଼ବେଦରୁ ତାଙ୍କର ଉଦୟ ଘଟିଛି । ଛାତି ଦମ୍ଭ କରି ତାଙ୍କୁ ଧ୍ୟାନ, ଲୟ କର । ପ୍ରଭୁ ଶ୍ରୀଗୁରୁ ଜଗତକରତା, ଜୀବନ ରକ୍ଷାକର୍ତ୍ତା । ସେ ପୁଣି ବାଞ୍ଛା କଳ୍ପତରୁ । ତାଙ୍କୁ ହୃଦୟରେ ଭଜନ କର । ପ୍ରଭୁଙ୍କ ପାଦରୁ ଅମୃତ ଝରୁଛି, ତାକୁ ପାନ କରି, ମନକୁ ପାଦତଳେ ନିମଗ୍ନ କଲେ ତୁମ ଜୀବନର ଦୁଃଖ ଦୂର ହେବ । ବ୍ରହ୍ମରେ ଆଜ୍ଞାବର୍ତ୍ତୀ ହେଲେ ଅକାଳ ବିପଦ ପଡ଼ିବ ନାହିଁ । ତେଣୁ ପ୍ରଭୁଙ୍କ ନାମକୁ ସମସ୍ତେ ଆଶ୍ରା କର । ଏ ଭବସାଗରରୁ ପାରି ହୋଇଯିବ । ଠାକୁରଙ୍କ ପାଦରେ ଭକ୍ତିଭାବ ରଖ, ସେ ତୁମକୁ । ଉଦ୍ଧାର କରିବେ ।

 

 

ଡଙ୍ଗା ପକାଇ ଜଗିଛନ୍ତି ଘାଟ । ଡିଙ୍ଗର ଦୁଷ୍ଟଙ୍କୁ ସେହୁ ଅଭେଟ ।୧୩।

ଢମପଣ ଛାଡ଼ି ଢୋକ ଅମୀୟ । ଢଳିଯିବ ଏକାଳ ମାୟା ମୋହ ।୧୪।

ଅଣାକାର ପୁରୁଷ ଅନ୍ତର୍ଯ୍ୟାମୀ । ଆତଙ୍କେ ଡାକିଲେ ବୁଝିବେ ଜାଣି ।୧୫।

ତତ୍ତ୍ୱ ପାଦକୁ ଲୟ କରି ଧର । ତ୍ରିଗୁଣ ବନ୍ଧନୁ ହେବ ଉଦ୍ଧାର ।୧୬।

ଥୟ କରିଣ ମନ ଖଟା ତହିଁ । ଥିବ ଚାରି ଯୁଗେ ଅମର ହୋଇ ।୧୭।

ଦୀନବନ୍ଧୁଙ୍କୁ ହୃଦରେ ଧ୍ୟାୟିଲେ । ଦର୍ଶନ ଦେବେ ସେ ଭକ୍ତି ଦେଖିଲେ ।୧୮।

ଧରିଣ ଧାରଣା କର୍ମମାନଙ୍କୁ । ଧ୍ୟାନ କରି ନିତ୍ୟେ ପାଦ ପଦ୍ମକୁ ।୧୯।

ନାବ ଥାଉ ନ ଭାସ ଭବ ଜଳେ । ନାରାୟଣଙ୍କୁ ଭଜ ଏତେବେଳେ ।୨୦।

ପୂର୍ଣ୍ଣାନନ୍ଦ ପାଦେ ଭକତି କର । ପିଣ୍ଡ ପରାଣ ସମର୍ପି ପୟର ।୨୧।

 

ଭାବାର୍ଥ- (୧୩-୨୧) ରେ ମନ, ପ୍ରଭୁ ସମସ୍ତଙ୍କ ହୃଦୟରେ ବିଦ୍ୟମାନ । ହୃଦ ନଦୀରେ ଡଙ୍ଗା ପକାଇ ତାଙ୍କୁ ପାଇବାକୁ ଘାଟ ଜଗିଛନ୍ତି ଲୋକମାନେ । ଦୁଷ୍ଟ ଦୁର୍ଜ୍ଜନଙ୍କୁ ସେ ଦେଖାଦେବେ ନାହିଁ । ଗର୍ବ, ଅହଙ୍କାର ପଣକୁ ଛାଡ଼ି ଅମୃତ ପାନ କର । ଫଳରେ ମାୟାମୋହ ଟଳିଯିବ । ଅଣାକାର ପୁରୁଷ ସେ ଅନ୍ତର୍ଯ୍ୟାମୀ ପ୍ରଭୁ । ବିପଦରେ ପଡ଼ି ଡାକିଲେ ରକ୍ଷା କରିବାକୁ ଧାଇଁ ଆସିବେ । ତାଙ୍କ ତତ୍ତ୍ୱ ସତ୍ୟ ପାଦକୁ ସର୍ବଦା ଲୟ କର । ସେ ତ୍ରିଗୁଣ ବନ୍ଧନରୁ ଉଦ୍ଧାର କରିବେ । ମନକୁ ଥୟ କରି ତାଙ୍କ ପାଦତଳେ ରଖ । ଚାରି ଯୁଗରେ ସେ ତୁମକୁ ଅମର କରି ରଖିବେ ।

 

ପ୍ରଭୁ ଦୀନଜନର ବନ୍ଧୁ । ତାଙ୍କୁ ହୃଦୟରେ ଧ୍ୟାନ କର । ତୁମର ଭକ୍ତିଭାବ ଦେଖିଲେ ସେ ଦର୍ଶନ ଦେବେ । ସର୍ବଦା ଉତ୍ତମ କର୍ମମାନ କରି ତାଙ୍କ ପାଦପଦ୍ମଙ୍କୁ ନିତ୍ୟ ଧ୍ୟାନ କର । ପ୍ରଭୁ ହେଉଛନ୍ତି ନାବ ସଦୃଶ । ସଂସାର ସାଗରରୁ ସେ ଭକ୍ତଙ୍କୁ ପାର କରନ୍ତି । ସେହିଭଳି ନାବ ଥାଉଁ ଥାଉଁ ଜଗତ-ସାଗର ଜଳରେ ଭାସ ନାହିଁ । ପ୍ରଭୁଙ୍କୁ ଏହି ସମୟରେ ଭଜନ କର । ସେ ନିଶ୍ଚୟ ଉଦ୍ଧାର କରିବେ । ନାରାୟଣ ହେଉଛନ୍ତି ପୂର୍ଣ୍ଣାନନ୍ଦ । ତାଙ୍କ ପାଦ ତଳେ ଭକ୍ତି ଢାଳିଦିଅ । ପ୍ରାଣକୁ ସମ୍ପୂର୍ଣ୍ଣ ଭାବେ ସମର୍ପି ଦିଅ ।

 

ଫିଟିବ ଜୀବନ କର୍ମ ବନ୍ଧନ । ଫଳ ଶ୍ରୁତିରେ ହେଲେ ସ୍ପୃହା ହୀନ ।୨୨।

ବୁଦ୍ଧି ବିବେକ ଜ୍ଞାନକୁ ଏକତ୍ୱ । ବୁଝିଣ କର ହେ ଅଭିଜ୍ଞ ଭକ୍ତ ।୨୩।

ଭୟ ଭୟହାରୀଙ୍କୁ ଭଜ ନିତି । ଭାବି ହୃଦେ ଭାଷେ ବାମନ ଯତି ।୨୪।

ମହିମା ନାମ ନିରନ୍ତରେ ଭଜ । ମାୟା ମୋହକୁ ହୃଦୟୁ ତେଜ ।୨୫।

ଯତନେ ସାଧୁ ସଙ୍ଗେ ବସ ନିତ୍ୟ । ଜୀବ ନିଶ୍ଚୟେ ହୋଇବ ମୁକତ ।୨୬।

ରାଗ ଅହଙ୍କାରରେ ନ ହୋଇ ରତ । ରୁହ ନାମ ବ୍ରହ୍ମେ ହୋଇ ଆଶ୍ରିତ ।୨୭।

ଲୋଭ ପ୍ରକୃତି ନିବାର ହୃଦରୁ । ଲୟକର ହେ ସୁଜନ ଶ୍ରୀଗୁରୁ ।୨୮।

ବୁଦ୍ଧ ରୂପେ ଶ୍ରୀଗୁରୁ ଅଣାକାର । ବ୍ରହ୍ମଜ୍ଞାନ କରିଛନ୍ତି ପ୍ରଚାର ।୨୯।

 

ଭାବାର୍ଥ- (୨୨-୨୯) ରେ ମନ, ଫଳ ଶ୍ରବଣରେ ସ୍ପୃହା ହୀନ ହେଲେ ତୁମ କର୍ମର ବନ୍ଧନ ଫିଟିବ । ହେ ଭକ୍ତ, ବୁଦ୍ଧିବିବେକ ଓ ଜ୍ଞାନକୁ ଏକକରି ଭବଭୟ ବିନାଶକାରୀ ପ୍ରଭୃଙ୍କୁ ନିତି ଧ୍ୟାନ କର । ମହିମା ନାମକୁ ନିରନ୍ତର ଭଜନ କରି ମାୟା ମୋହକୁ ହୃଦୟର ବାହା କରିଦିଅ । ପ୍ରତିଦିନ ସାଧୁସଙ୍ଗ, ଧ୍ୟାନ ଜପରେ ମନ ଦିଅ । ତେବେ ଏ ପାପ ସଂସାରରୁ ନିଶ୍ଚୟ ମୁକ୍ତି ପାଇବ । ରେ ଭକ୍ତ, ରାଗ, ଅହଙ୍କାରରେ ନ ମାତି, ନାମବ୍ରହ୍ମରେ ଆଶ୍ରିତ ହୁଅ । ହୃଦୟ ମଧ୍ୟରୁ ଲୋଭ, ଈର୍ଷା ପ୍ରଭୃତିକୁ ବାହାର କରିଦିଅ । ହେ ସୁଜନ, ଶ୍ରୀଗୁରୁଙ୍କ ପାଦକୁ ଲୟ କର । ବୁଦ୍ଧ ରୂପରେ ଶ୍ରୀଗୁରୁ ଅଣାକାର, ଜଗତରେ ବ୍ରହ୍ମଜ୍ଞାନ ପ୍ରଚାର କରିଛନ୍ତି ।

 

ଶ୍ରୀଗୁରୁଙ୍କ ପାଦେ ଲଗାଅ ଚିତ୍ତ । ସର୍ବ ସଂଶୟମାନ ହୁଏ ହତ ।୩୦।

ସାକ୍ଷୀ ରୂପେ ସର୍ବ ଘଟରେ ପୂରି । ସ୍ୱର୍ଗ ମର୍ତ୍ତ୍ୟ ପାତାଳେ ତିନିପୁରୀ ।୩୧।

ସୂତ୍ର ପଥେ ଧ୍ୟାନ କରି ପାରିଲେ । ସ୍ୱାମୀ ଦୃଶ୍ୟ ହେବେ ଜ୍ଞାନ ନେତ୍ରରେ ।୩୨।

ହେଳା ଲବେ ନ କର ହେ ସୁଜନ । ହୋଇ ଏକାଗ୍ର ମନେ କରି ଧ୍ୟାନ ।୩୩।

କ୍ଷମା କରିବେ ଏ ଘୋର ବିପତ୍ତି । କ୍ଷମେ ବାମନ ବାବା ଭାଷେ ଚିନ୍ତି ।୩୪।

 

ଭାବାର୍ଥ- (୩୦-୩୪) ହେ ସୁଜନ, ଶ୍ରୀଗୁରୁଙ୍କ ପାଦତଳେ ମନ ଲଗାଅ । ତୁମ ହୃଦୟ ମଧ୍ୟରେ ଯାହା ସବୁ ସଂଶୟ ରହିଛି ତାହା ଦୂର ହେବ । ପ୍ରଭୁ ଦୟାମୟ, ସାକ୍ଷୀ ଭାବରେ ସର୍ବଘଟରେ ପୂରି ରହିଛନ୍ତି । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ- ତିନି ପୁରରେ ସେ ବିରାଜମାନ କରୁଛନ୍ତି । ହେ ସୁଜନେ, ଉପଯୁକ୍ତ ଓ ସଠିକ୍ ମାର୍ଗରେ ପ୍ରଭୁଙ୍କ ଧ୍ୟାନକର । ତା’ ହେଲେ ଯାଇ ଜ୍ଞାନ ନେତ୍ରରେ ସ୍ୱାମୀଙ୍କୁ ଦର୍ଶନ କରିପାରିବ । ଏକାନ୍ତ ଚିତ୍ତରେ ପ୍ରଭୁଙ୍କୁ ଧ୍ୟାନକର । ତାଙ୍କ ସେବାରେ କେବେ ହେଲେ ହେଳା କରି ନାହିଁ । ସଂସାରର ଘୋର ବିପତ୍ତରୁ ପ୍ରଭୁ ତୁମକୁ ରକ୍ଷା କରିବେ । ବାମନ ବାବା ପ୍ରଭୁଙ୍କ । ପଦାରବିନ୍ଦରେ ମନଦେଇ ଚଉତିଶାଟିକୁ ରଚନା କଲେ ।