କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଚଉତିଶା

କୋଟିବ୍ରହ୍ମାଣ୍ଡ ସୁନ୍ଦରୀ ଚଉତିଶା

ଶ୍ୟାମଘନ ଚମ୍ପତ୍ତି

 

(ରାଗ-କୌଶିକ)

(ଆନୁମାନିକ ଊନବିଂଶ ଶତାବ୍ଦୀର ଜଣେ ପ୍ରସିଦ୍ଧ କବି ଶାମଘନ ଚମ୍ପରି ‘ଶ୍ୟାମଘନ’ ଭାବେ ସୁପରିଚିତ । ଅନେକ ଚଉତିଶାର ସେ ରଚୟିତା । ସେ ସବୁ ମଧ୍ୟରେ ‘କୋକିଳ ଚଉତିଶା’, ‘ହଂସଦୂତ ଚଉତିଶା’ ପ୍ରଭୃତି ପ୍ରଧାନ । ବୃଷଭାନ କୁମାରୀ ଶ୍ରୀରାଧା । ତାଙ୍କର ଅପୂର୍ବ ରୂପ ଲାବଣ୍ୟ, ଗୁଣ କୀର୍ତ୍ତିକୁ ପ୍ରକାଶ କରି ଶ୍ରୀକୃଷ୍ଣଙ୍କ ବେଦନା ଦୂତୀ ଉତ୍ସୁକତାର ସହ ପ୍ରକାଶ କରିଛି । ସୁନ୍ଦର, ସରଳ ଭାଷା ଓ ମଧ୍ୟ ଯୁଗୀୟ ଛଟାରେ ଶ୍ରୀମଣ୍ଡିତ ହୋଇଛି ଚଉତିଶାଟି ।)

 

କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ବୃଷଭାନୁ

କୁମାରୀ ଅତି ସୁକୁମାରୀ

କନକ ପ୍ରତିମ ଗଉରୀ ଗଉରୀ

ପ୍ରିୟ ଯୋଗ ବିଯୋଗକାରୀ

କଞ୍ଜ ଖଞ୍ଜନ ଗଞ୍ଜନ ମଞ୍ଜୁଳ ଲୋଚନା

କହଇ ତା ଆଗେ ବସିଣ ଦୂତିକା ଶ୍ରୀକୃଷ୍ଣ ବେଦନା ରଚନା ।୧।

 

 

ଖଗପତି ପତି କାମ ଖଗପନ୍ତି

ରତୀଶ ପ୍ରହାର ବଶରୁ,

ଖସେ ଅନିଶେ ନୀରଧାରା

ନିର୍ମଳ ନୟନ ଯୋଗରୁ,

କ୍ଷୀରୋଦରୀରେ, ଦିଶେ ସେ ଯେମନ୍ତ ସୁନ୍ଦର,

ଖରେ ଅମଳ କମଳ ଜଳ ଯୋଗୁ ଗଳେ କି ତୃଷାର ନିକର ? ।୨।

 

..........ତା ଗତି ରତି ଗତାଗତି

ଅଗତି ସମଲୋକ ହୋଇ,

ଗତେ ସେ ରଜନୀ ନିକରେ

ଶୋକରେ ସ୍ୱକରେ ହୃଦୟ ଗଡ଼ଇ ।

ଗୁଣମଣି ସଗୁଣମଣି ମାନଙ୍କୁ ନେଇ,

ଗଳାରେ ଗଳାଇ ଦେଲେ ସଖାମାନେ କାମ ପାଶ ପ୍ରାୟେ ମଣଇ ।୩।

 

ଘନଜଘନୀ ଘେନ ଭୃତ୍ୟ ସ୍ନେହକୁ

ନ ତେଜ ସୁନିଜ ଦାସରେ

ଘେନାଘେନିମାନ ଛାଡ଼ି ଏତେ

ମାନ କରିଛୁ କି ଦୋଷ ବଶରେ ?

ଘନ ନିତମ୍ବୀ, ତୋହର ଅଙ୍ଗ ସଙ୍ଗ ଦିନୁ,

ଘୋର ଅତନୁ ଅତନୁଶରେ ତନୁ କରୁଛି କ୍ଷୀଣ ଦିନୁ ଦିନୁ ।୪।

 

ଶବ୍ଦାର୍ଥ- (୧) କଞ୍ଜ-ପଦ୍ମ, (୨) ନୀରଧାରା-ଜଳଧାରା ।

ଭାବାର୍ଥ- (୧-୪) ବୃଷଭାନୁ କୁମାରୀ ରାଧା କୋଟିବ୍ରହ୍ମାଣ୍ଡ ସୁନ୍ଦରୀ, ଅତି ସୁକୁମାରୀ । କନକ ପ୍ରତିମା ଗଉରୀ, ପଦ୍ମ, ଖଞ୍ଜନ ଲୋଚନା । ତାଙ୍କ ଆଗରେ ବସି ଦୂତୀ ଏହା ପ୍ରକାଶ କରୁଛି । ଶ୍ରୀକୃଷ୍ଣଙ୍କ ବେଦନା ମଧ୍ୟ ସେ କହୁଛି । ରେ କ୍ଷୀଣୋଦରି, କାମଦେବର ଶର ପ୍ରହାରଜନିତ ଦୁଃଖରେ ସେ ଭାଙ୍ଗି ପଡ଼ିଛନ୍ତି । ପଦ୍ମ ପତ୍ର ଉପରେ ତୁଷାର ପଡ଼ିଲା ପ୍ରାୟ ସେ ଦିଶୁଛନ୍ତି । ତାଙ୍କୁ ତାଙ୍କର ସଖାମାନେ ଗୁଣମଣି, ସଗୁଣମଣିମାନଙ୍କୁ ନେଇ ଗଳାରେ ଗଳାଇ ଦେଇଛନ୍ତି । ତୋତେ ସେ ଝୁରୁଛନ୍ତି । ରେ ଘନଜଘନୀ, ଭୃତ୍ୟର ସ୍ନେହକୁ ଗ୍ରହଣ କର, ଏହାକୁ ଛାଡ଼ି ଦିଅ ନାହିଁ । କି ଦୋଷ ଦେଖିଲୁ ଯେ ଘେନାଘେନି ଭାବକୁ ଛାଡ଼ି ଏତେ ମାନ କରିଛୁ ? ରେ ଘନନିତମ୍ବ, କନ୍ଦର୍ପ ଶରାଘାତରେ ତୋର ତନୁ ଦିନକୁ କ୍ଷୀଣ ହୋଇ ଯାଉଛି ।

 

ନବଘନ ନବ ତମାଳ ବଲ୍ଲରୀ

ନୀଳ ନିର୍ମଳ ଇନ୍ଦୀବର

ନିନ୍ଦା କରଇ ଯା ତନୁରେ ସୁତନୁ

ସେ ଏବେ ହେଲା ଅସୁନ୍ଦର

ନାହିଁ ନାହିଁ ଗୋ, ତୋ ବିନୁ ତାଙ୍କୁ ପ୍ରତିକାର

ନୁହେଁ କି ଏମନ୍ତ ଏଥୁ ଆନମତ ତୋ ମନରେ ସଖୀ ବିଚାର ? ।୫।

 

ଚତୁରୀ ମଣି ତୋ ବିନୁ ସେ

ଚତୁର ଅତି ଆତୁର ହେଉଅଛି,

ଚାରୁ ଚନ୍ଦ୍ର ହାସ ଲାଗିଲେ ସେ

ଚନ୍ଦ୍ରହାସ ସମ ତ୍ରାସ ପାଉଛି ।

ଚିତ୍ରକେଶିନୀ, କେଶୀ ନିସୂଦନ ଯେ ବିନା

ଚୂତ ଶର ଧନୁରୁ ଚ୍ୟୁତ ଅଚ୍ୟୁତ ଶରେ ପାଉଅଛି ବେଦନା ।୬।

 

ଛାଡ଼ିଲାନି ତାର ଅଧରୁ

ରଙ୍ଗିମା ରଙ୍ଗିମା ନୟନ ଭଙ୍ଗିମା,

ଛାଡ଼ିବ ଜୀବ ନାହିଁ ଯେବେ ବା

ତୁମ୍ଭେ ତା ସମୀପକୁ ରାମା ।

ଛଳ ନୁହଇ, କହୁଅଛି ଯେତେ ବଚନ

ଛଟକାକ୍ଷୀ ତୋ ଯିବାକୁ ଡେରିଥିବ ଲୋଚନ କମଳ ଲୋଚନ ।୭।

 

ଯୁବତୀମଣି ମଣିଲି ଯେବେ

ମୁହିଁ ନାହିଁ ତୋ ସମାନ ସୁନ୍ଦରୀ,

ଯାହା ଜଗତ ନାୟକକୁ ନାୟକ

ପଣେ ମୋହିଛୁ ଏଡ଼େ କରି ।

ଯେଣୁ କରି ଗୋ, ତୋ ବିନୁ ନାହିଁ ତାର ଗତି

ଯାଇ ତାର ବେଗେ ହତ କର ଦନ୍ତୀ ଗତି ରତିପତିର ଭୀତି ।୮।

 

ଶବ୍ଦାର୍ଥ- (୫) ଇନ୍ଦୀବର-ନୀଳପଦ୍ମ । (୭) ଚନ୍ଦ୍ରହାସ-ଚନ୍ଦ୍ରକିରଣ, ଖଣ୍ଡା; ତ୍ରାସ-କଷ୍ଟ । (୮) ରତିପତି-କନ୍ଦର୍ପ ।

 

ଭାବାର୍ଥ- (୫-୮) ରେ କୋଟିବ୍ରହ୍ମାଣ୍ଡ ସୁନ୍ଦରି, ନବଘନ, ନବତମାଳ, ନିର୍ମଳ ନୀଳପଦ୍ମ ଯାହାଙ୍କ ଶୋଭା ଆଗରେ ହାରମାନେ, ସେ ଏବେ ଅସୁନ୍ଦର ଦେଖା ଯାଉଛନ୍ତି । ତୋ ବିନା ଏହାର ପ୍ରତିକାର ନାହିଁ । ଏହା ପ୍ରକୃତ କଥା ନୁହେଁକି, ତୁ ମନରେ ବିଚାର କର । ରେ ଚତୁରୀମଣି, ତୋ ବିନୁ ସେ ଚତୁରମଣି ଅତି ଆତୁର ହୋଇପଡ଼ିଛନ୍ତି । ତୋର ସେ ଚାରୁ ଚନ୍ଦ୍ରକିରଣ ପରିହାସ ତାଙ୍କୁ ‘ଚନ୍ଦ୍ରହାସ’ ଖଣ୍ଡାର ଭୟ ଦେଖାଉଛି । ରେ ଚିତ୍ରକେଶିନୀ, ତୋତେ ଝୁରି ଝୁରି କାମଶରରେ ବେଦନା ପାଉଛନ୍ତି ।

 

ରେ ଛଟକାକ୍ଷି, ତାଙ୍କର ଅଧରରୁ ରଙ୍ଗିମା, ନୟନର ଭଙ୍ଗିମା ଛାଡ଼ି ଗଲାଣି । ତୁମେ ଯଦି ତାଙ୍କ ପାଖକୁ ନ ଯିବ, ତେବେ ତାଙ୍କର ଜୀବନ ନିଶ୍ଚୟ ଯିବ । ମୁଁ ଯାହା କହୁଛି, ଛନ୍ଦ ବୋଲି ଭାବ ନାହିଁ । ରେ ଯୁବତୀମଣି, ତୋ ସମାନ ସୁନ୍ଦରୀ ଏ ସଂସାରରେ କେହି ନାହାନ୍ତି, ଏହା ମୁଁ ଜାଣେ । ସେ ଜଗତର ନାୟକ । ତୁ ତାଙ୍କୁ ନାୟକ ପଣେ ଏତେ କରି ମୋହିଛୁ । ତେଣୁ ତୋ ବିନୁ ତାଙ୍କର ଅନ୍ୟ ଗତି ନାହିଁ । ତୁରନ୍ତ ତାଙ୍କ ପାଖକୁ ଯାଇ ତାଙ୍କ ପାଖରୁ କନ୍ଦର୍ପର ଭୟ ଦୂର କର ।

 

 

ଝୁରି ଝୁରି ତନୁ କ୍ଷୀଣ କଲାଣି

ସେ ଅନିଶେ ଗୁଣ ଗୁଣି ତୋର,

ଝରୁଛି ନୟନୁ ନୀର ଝରଝର

ଯେହ୍ନେ ନଗରୁ ଝରେ ଝର ।

ଝମ ଝମ ବରନୀ ଇନ୍ଦୀବର ନୟନୁ ଯେଣୁ ହେଲେ ଦୂର ।୯।

 

ନବଜନଧନ ଯେସନ ବିଜୁଳି

ବିହୀନେ ଦିନେ ଅସୁନ୍ଦର,

ନୋହେ ଶୋଭା ବଲ୍ଲୀ ବିହୀନରେ

ଯେହ୍ନେ ତମାଳ ତରୁବର ।

ନୀଳକେଶୀ ଗୋ, ତୋ ବିନୁ ତା ଶୋଭା ଏସନ,

ନାଗରୀ ନାଗର ରସ ସାଗରକୁ ତୋ ମୁଖ ସାଗର ନନ୍ଦନ ।୧୦।

 

ଟଳିବନି ତାର ଜୀବନ ଜୀବନ

ଜୀବନ ଜଳଦେ ଯେମନ୍ତ,

ଟାଣ ପ୍ରସୂନ ସଗର ସନ୍ତତି

ସନ୍ଧୁଥିବ ତାକୁ ସନ୍ତତ ।

ଟହ ଟହ ଗୋ, ବିମ୍ବ ବିଡ଼ମ୍ବତା ଅଧର

ଟାଣ ତମ ତମ ପ୍ରାୟେ ହେଲା ଆସି ଆସି ତୁ ରହିଲାକୁ ଦୂର ।୧୧।

ଠଣ କାମରଙ୍କ ତା ମନ ପ୍ରଚଣ୍ଡ

କୋଦଣ୍ଡ ମଣ୍ଡନ ହୋଇଛି,

ଠାଠିକ ଅଖଣ୍ଡ ପ୍ରଚଣ୍ଡ କୋଦଣ୍ଡ

ମଣ୍ଡଳେ ମଣ୍ଡନ ହୋଇଛି ।

ଠଣ ବିଶିଖ ମୟୂଖେ ତନୁ ସରୁ ତାର

ଠିକ ଲାବଣ୍ୟ ନୀର ନାଶ କରନ୍ତେ ଜୀବମାନେ ହେଲେ ଯିବାର ।୧୨।

 

ଶବ୍ଦାର୍ଥ- (୯) ଅନିଶେ- ବିଶ୍ରାମରେ, ନଗ-ପର୍ବତ । (୧୦) ନବଜଳଧରନୂଆମେଘ ।

ଭାବାର୍ଥ- (୯-୧୨) ରେ ପଦ୍ମନେତ୍ରୀ, ତୋତେ ଝୁରିଝୁରି କୃଷ୍ଣଙ୍କ ତନୁ କ୍ଷୀଣ ହେଲାଣି । ସର୍ବଦା ତୋ ଗୁଣକୁ ଗୁଣି ହେଉଛନ୍ତି । ପର୍ବତରୁ ଜଳଧାର ଝରିଲା ଭଳି ଅନବରତ ତାଙ୍କ ଆଖିରୁ ଲୁହ ଝରୁଛି । ତୋ ନୀଳପଦ୍ମ ନୟନଠାରୁ ଦୂରେଇ ଯିବା ହେତୁ ତାଙ୍କ ଶରୀର ଝମଝମ ହେଉଛି । ବିଜୁଳି ବିହୀନରେ ନୂଆ ମେଘ ଯେମିତି ଅସୁନ୍ଦର ଦିଶେ, ଲତା ବିହୀନ ଯୋଗୁଁ ଯେମିତି ତମାଳ ବୃକ୍ଷ ଶୋଭାମୟ ଦେଖାଯାଏ ନାହିଁ, ଯେମିତି ତୋ ବିନା ତାଙ୍କ ଶୋଭା ହୋଇଛି । ରେ ନୀଳକେଶ, ତୁ ନାଗରୀ ହେଲେ ସେ ନାଗର, ସେ ରସର ସାଗର ହେଲେ, ତୋ ମୁଖ ସାଗର ଶ୍ରେଷ୍ଠ ।

 

ରେ ରମଣୀବର, ତାଙ୍କ ଜୀବନ ହନ୍ତସନ୍ତ ହେଲାଣି । ଅହରହ ସେ କନ୍ଦର୍ପର ଫୁଲଶର ଦ୍ୱାରା ଜର୍ଜରିତ ହେଉଛି । ତାଙ୍କ ଅଧରର ତେଜ ମଉଳି ଗଲାଣି । ତୁ ତାଙ୍କଠାରୁ ଦୂରରେ ରହିବାରୁ ତାଙ୍କର ଟାଣପଣ ଭାଙ୍ଗି ଯାଇଛି । କାମରଙ୍କ ହୋଇବାରୁ କନ୍ଦର୍ପ ଶରରେ ତାଙ୍କୁ ଆଘାତ କରିଛି । ତାଙ୍କ ତନୁ କ୍ଷୀଣ ହେଲାଣି । କୃଷ୍ଣଙ୍କର ଲାବଣ୍ୟଜଳ ଶୁଖିଗଲାଣି । ଫଳରେ ଜୀବ ମାନେ ସେଠାରୁ ଚାଲି ଯାଇଛନ୍ତି ।

 

ଡାଳିମ୍ବ ପ୍ରସୂନ ସମ

ଶୋଣତାର କରମୋଡ଼ା

ଉତ୍ପଳୁ ଅତ୍ୟନ୍ତ ସୂକ୍ଷ୍ମ ଭାବ ଭାଜିଛି,

ଡାଳିମ୍ବଦନ୍ତୀ ଶୁଣରେ

ଘୋର ନୀରସ ଗୁଣରେ

ବାହୁ କାଳ ତାହାର ସଂଯୋଗ ହୋଇଛି

ଡୋଳା ଭୃଙ୍ଗ ଯୁତ ନେତ୍ରାବ୍‌ଜ ଡମ୍ବରୁମଧ୍ୟା ହୋଇଛି ସହି ନ ତେଜ ।୧୩।

 

ଢାଳେ ସେ ସରିତ ଦ୍ୱିଜ-

ମାନଙ୍କର ପକ୍ଷପାତ

ଦ୍ୱିଜ ପଦ ଚିହ୍ନରେ ଅଙ୍କିତ ହୋଇଛି,

ଢାଳେ ସ୍ୱେଦ ବିନ୍ଦୁ ବୃନ୍ଦ

ବ୍ୟାଜରେ ନିଶ୍ଚେ ବୁଦ୍ ବୁଦ୍

ନୀରସ ଭାବରୁ ସେହୁ ଜାତ ହୋଇଛି

ହଳ ହଳ ଶରୀର ଶର ଢାଳେଣ ଏମନ୍ତ କଲା କୋଦଣ୍ଡ କର ।୧୪।

 

 

ଏଣୁ କରିରେ ଅବଳା

ତୁସେ ସନ୍ଧ୍ୟା ମେଘମାଳା

ସମାନ ହୋଇ ପ୍ରବେଶ ହୁଅ ସେଠାରେ

ଅମଳ ତଡ଼ିତ କାନ୍ତି

ସୁର ଚାପ ଭୂରୁ ତଥି

ହାରା ବକାଳୀର ଭ୍ରାନ୍ତି ତେସନ ହୋଇ

ଏମନ୍ତ ହେଲେରେ ତରୁଣୀ ଆଉ ସନ୍ତାପିବ ନାହିଁ କାମ ତରଣୀ ।୧୫।

 

ତାର ତର ହାର ବର

ସମାନ ଅଗାର ବର

ହରପର କରାଗାର କରି ମଣଇଁ

ତୃଷାର କରଇ ଜର

ନିକର ବିରହ ଭର

ବଶୁଁ ଚଣ୍ଡକର କର କରି ମଣଇଁ

ତାଶୁ ସ୍ମରଶର ମାରଇ ତେଣୁ ସେ ନାଗର ବର ଶୋକ କରଇ ।୧୬।

 

ଶବ୍ଦାର୍ଥ- (୧୩) ପ୍ରସୂନ-ଫୁଲ, ଶୋଣ-ନାଲିରଙ୍ଗ । (୧୫) ତରଣୀ-ନୌକା । (୧୬) ସ୍ମର-କନ୍ଦର୍ପ ।

ଭାବାର୍ଥ- (୧୩-୧୬) ରେ ଡାଳିମ୍ବଦନ୍ତି, କୃଷ୍ଣଙ୍କର ଡାଳିମ୍ବ ଫୁଲ ପରି ରକ୍ତ ବର୍ଣ୍ଣର ହାତମୋଡ଼ା ସବୁ ଏବେ ବିଷଣ୍ଣ ଦେଖାଯାଉଛି । ଚକ୍ଷୁଯୁଗଳ ତେଜ ହରାଇଲାଣି । ରେ ଡମ୍ବରୁ ମଧ୍ୟା, ତାଙ୍କ ବକ୍ଷଦେଶରେ ଦ୍ୱିଜ ପଦଚିହ୍ନ ଅଙ୍କିତ ଅଛି । ତାହା ସ୍ଵଦ ଜଳରେ ବୁଡ଼ିଯାଇଛି । ନୀରସ ଭାବରୁ ସେ ସବୁ ଜାତ ହୋଇଛି । କନ୍ଦର୍ପର ଶର ଯୋଗୁଁ ଶରୀର ଟଳମଳ ହେଉଛି ।

 

ତେଣୁ ରେ ସହି, ତୁ ସନ୍ଧ୍ୟାର ମେଘମାଳା ସଦୃଶ ତା’ ପାଖରେ ପ୍ରବେଶ ହୁଅ । ତୋର ବିଦ୍ୟୁତ୍ ସମାନ କାନ୍ତି, ଇନ୍ଦ୍ରଧନୁ ସମ ଭ୍ରୂଲତା ତଥା ହାରା ବକମାଳାର ଭ୍ରାନ୍ତି ସେଠାରେ ଦୃଷ୍ଟି ହେବ । ରେ ତରୁଣି, ଏପରି ହେଲେ ତାଙ୍କ ପ୍ରାଣ ସନ୍ତାପିତ ହେବ ନାହିଁ, କାମ ତରଣୀ ସେ ଯେମିତି ପାଇଯିବେ ! ବିରହ ଜ୍ୱାଳାରେ ସେ ଜର୍ଜରିତ ହୋଇ ପଡ଼ିଛନ୍ତି । ବିରହ ଯନ୍ତ୍ରଣା ପ୍ରଖର ସୂର୍ଯ୍ୟ କିରଣ ପରି ତାଙ୍କୁ ଲାଗୁଛି । କନ୍ଦର୍ପର ଶର ଆଘାତ ପାଇ ସେ ନାଗରବର ତେଣୁ ଶୋକରେ ଅଧିର ହୋଇ ପଡ଼ିଛନ୍ତି ।

 

ଥରେ କହୁ କହୁ ଦୂତୀ

ଆଣି ଜ୍ୟୋତି ପତି ଅତି

ବାରୁଣୀର ତରୁ ଶୋଣ ଜ୍ୟୋତି ହୋଇଲା

ସ୍ଥୁଳ ବସ୍ତୁକୁ ତେଜିଲା

ନଭ ମଣ୍ଡଳ ଛାଡ଼ିଲା

ହେତୁରେ ଅଚଳେ ପଶିଲା

ଥିର ଗୁଣ ତହିଁ ନୋହିଲା ଥୟେ ନୋହିଣ ସେ ସିନ୍ଧୁ ମଧ୍ୟେ ପଡ଼ିଲା ।୧୭।

 

ଦିନମଣି ଅସ୍ତ ମଣି

ପଦ୍ମିନୀ କଞ୍ଜଲୋଚନୀ

କାନ୍ତ ଆଗତ ପଥକୁ ଧ୍ୟାନେ ରହିଲା

ଦ୍ୱିଜ ଦମ୍ପତି ମିତ୍ରର

ନ ପାଇ ବସୁନିକର

ଲାଭ ଚଣ୍ଡ ଅନୁସାରେ ପାର ନୋହିଲା

ଦେଖୁ ଦେଖୁ ସନ୍ଧ୍ୟା ପ୍ରବେଶ ଦିଶିଲା ଶୋଣିତ ଘନ ନବ ଆକାଶ ।୧୮।

 

ଧୀରେ ମଣି ସେ ମନ

ମୀନ କେତନ ରାଜନ

ତୈଲୋକ୍ୟ ଜିଣିବ ବୋଲି ହେଲା ବାହାର

ଧରିଛନ୍ତି ଦିଗ ନାରୀ

ଚାରି ଦିଗକୁ ବିସ୍ତାରି

କି ଶୋଣିତ ତର ନ ବିତାନ ବର

ଧୀରେ ସନ୍ଧ୍ୟା ଗଲାକ ନାଶ ଧ୍ୱାନ୍ତ ବଂଶ ପ୍ରବେଶ ହୋଇଲେ କ୍ରମଶ ।୧୯।

 

 

 

ନିଶ୍ଚେ ମଣିଲି ଏମନ୍ତ

କାନ୍ତ କେଳତିର କାନ୍ତ

ମର୍ତ୍ତ୍ୟ ଲୋକ ଜିଣିବାକୁ ଉଜ୍ଜ୍ୱଳ ହେଲେ

ନିବିଡ଼େ ମମତାରାଶି

ମାୟାକୁ ଶୀଘ୍ରେ ପ୍ରକାଶି

କାମିନୀ କରକୁ ବେଗେ ସୁଦେଶ କଲେ

ନିଶାକର ଏଥୁ ଅନ୍ତରେ ନିର୍ମଳ ଗୁଣ ପ୍ରକାଶ କଲା ନଭରେ ।୨୦।

 

ଶବ୍ଦାର୍ଥ- (୧୮) କଞ୍ଜଲୋଚନା-ପଦ୍ମନେତ୍ରୀ । (୧୯) ମୀନକେତନ ରାଜନକନ୍ଦର୍ପ, ଧ୍ୱାନ୍ତ-ଅନ୍ଧାର, ଶୋଣିତ-ରକ୍ତ । (୨୦) ନଭ-ଆକାଶ ।

 

ଭାବାର୍ଥ- (୧୭-୨୦) ଦୂତୀ ଏପରି କହିବା ପରେ ପରେ ସୂର୍ଯ୍ୟ ପଶ୍ଚିମାକାଶରେ ଅସ୍ତ ଯାଇ ରକ୍ତବର୍ଣ୍ଣ ଧାରଣ କଲେ । ସ୍ଥୁଳ ବସ୍ତୁକୁ ତ୍ୟାଗ କରି ନଭମଣ୍ଡଳ ଛାଡ଼ି ପର୍ବତ ଗହ୍ୱରରେ ଲୁଚିଗଲେ । ସ୍ଥିର ଗୁଣ ସେଥିରେ ନ ରହି ପୁଣି ସମୁଦ୍ର ମଧ୍ୟରେ ପଡ଼ିଗଲେ । ସୂର୍ଯ୍ୟଙ୍କର ଅସ୍ତ ହେଲା ମନେ କରି ପଦ୍ମନେତ୍ରୀ ପଦ୍ମିନୀ ସ୍ୱାମୀଙ୍କ ଆଗତ ପଥକୁ ଚାହିଁ ରହିଲା । ପକ୍ଷୀ ଦମ୍ପତ ମିତ୍ର ସୂର୍ଯ୍ୟଙ୍କ ଦର୍ଶନ ନ ପାଇ ବସାକୁ ଫେରିଗଲେ । ଦେଖୁ ଦେଖୁ ସନ୍ଧ୍ୟାପ୍ରବେଶ ହେଲା । ନୂଆମେଘ, ଆକାଶ ରକ୍ତବର୍ଣ୍ଣ ଧାରଣ କଲା ।

 

କ୍ରମଶଃ ଅନ୍ଧକାର ଘୋଟି ଆସିଲା । ଏହି ସମୟରେ କନ୍ଦର୍ପ ରାଜନ ତିନି ଭୁବନ ଜିଣିବା ଇଚ୍ଛାରେ ବାହାର ହେଲା । ଚାରିଦିଗକୁ ବିସ୍ତାର କରି ଦିଗ ରୂପକ ନାରୀକୁ ହାତରେ ଧରିଛନ୍ତି । ନବ ବିତାନ ରୂପକ ବର ଯେମିତି ରହିଛନ୍ତି । ଧୀରେ ଧୀରେ ସନ୍ଧ୍ୟା ନାଶ ଗଲା । କ୍ରମଶଃ ଅନ୍ଧକାର ବଂଶ ପ୍ରବେଶ ହେଲେ । ସମସ୍ତଙ୍କ ମନରେ ଏମିତି ଭାବନା ଆସିଲା, କାନ୍ତ ସହିତ କାମିନୀଙ୍କ ମିଳନ ହେବ । ଅନ୍ଧାରରେ ମର୍ତ୍ତ୍ୟ ଲୋକଙ୍କୁ ଜିଣିବାକୁ କନ୍ଦର୍ପ ଉତ୍ସୁକ ହେଲା । ମାୟା ପ୍ରକାଶ କରି କାମିନୀ ହାତକୁ ଶୀଘ୍ର ସୁବେଶ କରାଇଲା । ଏହା ପରେ ଚନ୍ଦ୍ର ଆକାଶରେ ତା’ର ନିର୍ମଳ ଗୁଣ ପ୍ରକାଶ କଲା ।

 

ପୟୋଧି ପୟରେ ବସେ

ସୁର ନଦୀ ଧାରା ମିଶେ

ନୈଶ ନାରୀ କେଶେ କିବା ମଲ୍ଲିକାମାଳ

ପୁଣି ହିଁ ମକର କର

ପ୍ରକଟେ ତମନିକର

ନାଶି ଆସି ହେଲା ପ୍ରାଚୀ ଅଚଳ ଚୂଳ

ପ୍ରଦେଶ ଆକାଶେ କ୍ରମଶଃ ପେଶଳ କାଳନ୍ଦୀ ଜଳେ କି କଳହଂସ ? ।୨୧।

 

ଫାଇ ଚନ୍ଦ୍ରୋଦୟ ଦେଖି

ଦୂତିକା ବୋଲଇ ସଖୀ

ମୃଗାଙ୍କ ମଣ୍ଡଳ ଦେଶ ରୁଚିରତର

ସ୍ଫୁଟରଜତ ପାତରେ

ସ୍ମର ଅର୍ଥରେ କି ପ୍ରାଚୀ

ନାରୀ ଥୋଇଛି କସ୍ତୁରୀ ଅଙ୍କ ବ୍ୟାଜରେ

ଫଳ କି ସେ ଅବା ସାର ସ୍ଫୁଟ ହୋଇଛି ଅଙ୍ଗେ ଅଶୀଳ ଚାମର ।୨୨।

 

ବିଧୁବଦନୀ ଶୁଣରେ

ଏହା ମଣିଛି ମନରେ

ତୋ ମୁଖ ବିଧି ବିଧାନ କରିବ ବୋଲି

ବିଧୁ ମଧୁ ଦେଶ ସାର

ଭାଷା ନେଇଣ ସତ୍ୱର

ହୋଇ ତୋର ଲପନକୁ କଲାରେ ବାଳୀ

ବିଳ ଦେଖ ପ୍ରତ୍ୟେକ୍ଷେ ଅତି । ବିଷ୍ଣୁ ପଦଟି କଳଙ୍କ ବ୍ୟାଜେ ଦିଶୁଛି ।୨୩।

 

ଭାସ୍ୱର ଶଶୀ ଭାସ୍କର

ମାର୍ଗ ଦିଗନ୍ତର ପୁର

ଧବଳିତ କରିବାର ଦେଖିଣ ଦୁତୀ

ଭାଷଇ ମଧୁର ବାଣୀ

ଶୁଣରେ ମଧୁ ରମଣୀ

ଶୁକ୍ଳା ଅଭିସାର କରି ଯିବା ତଡ଼ତି

ଭଲେ ଶୁଣି ଦୁତୀ ବଚନ ଭୀରୁମଣି ଆରମ୍ଭିଲେ ବେଶ ରଚନ ।୨୪।

 

ଶବ୍ଦାର୍ଥ- (୨୧) ପୟୋଧି-ସମୁଦ୍ର, ପୟର-ପାଦ, ତମନିକର-ଅନ୍ଧକାରମୟ । (୨୪) ଭାସ୍ୱର-ଦୀପ୍ତି, ଭାସ୍କର-ସୂର୍ଯ୍ୟ, ଭୀରୁମଣି-ରମଣୀମଣି ।

 

ଭାବାର୍ଥ- (୨୧-୨୪) ସମୁଦ୍ରର ପାଦ ଦେଶରେ ଯମୁନା ନଦୀର ଧାରା ମିଳିଛି । ଏହା ଦେଖିଲେ ମନେହୁଏ, ଯେମିତି ରାତ୍ରି ରୂପକ ନାରୀ କେଶରେ ମଲ୍ଲିକାମାଳା ଗୁନ୍ଥାଯାଇଛି । ପୁଣି ମନେହୁଏ, ଅନ୍ଧକାର ଘୋଟି ଆସି ପ୍ରଶ୍ଚିମା ପର୍ବତ ଚୂଳରେ ରହିଛି ଓ କ୍ରମଶଃ ଆକାଶରେ ମନୋହର (ପେଶଳ) ଯମୁନା ଜଳରେ କଳହଂସ ରୂପରେ ପ୍ରବେଶ କରିଛି । ଚନ୍ଦ୍ରୋଦୟ ଦେଖି ଦୂତୀ କହିଲା- ହେ ସଖି, ଚନ୍ଦ୍ରମଣ୍ଡଳ ଅତ୍ୟନ୍ତ ମନୋହର ଦେଖାଯାଉଛି । କନ୍ଦର୍ପ ଯେମିତି ରୁପା ପକାଇ ପ୍ରାଚୀନାରୀକୁ ଥୋଇଛି । କସ୍ତୁରୀ କୋଳ ଛଳରେ ଅଙ୍ଗରେ ଧବଳ ଚାମର ମାଳିଛି ।

 

ରେ ଚନ୍ଦ୍ରନିଳ ଶୁଣ, ତୋ ମୁଖରେ ବିଧିବିଧାନ କରିବ ବୋଲି କନ୍ଦର୍ପ ମନରେ ଭାବିଛି । ଚନ୍ଦ୍ର, ମଧୁ ପ୍ରଭୃତି ସାର ପଦାର୍ଥକୁ ନେଇ ତୋର ମୁଖକୁ ବିଧାତା ମୁଖକୁ ବିଧାତା ଗଢ଼ିଛି । ପ୍ରତ୍ୟକ୍ଷ ଭାବରେ ଏହା ତୋର ମୁଖରେ ବିଳଥିବା ଜଣାଯାଉଛି । ଆକାଶରେ ଚନ୍ଦ୍ରର କଳଙ୍କ ରହିଥିବା ଦେଖାଯାଉଛି । ରେ ମଧୁରମଣି, ଦେଖ, ଦୀପ୍ତିମାନ ଚନ୍ଦ୍ର ପୂର୍ବଦିଗକୁ ଧବଳିତ କଲାଣି । ଶୀଘ୍ର ଆମେ ଶୁକ୍ଳାଭିସାର କରିଯିବା । ଦୂତୀ ଠାରୁ ଏହା ଶୁଣି ରମଣୀମଣି ନିଜକୁ ସୁବେଶ କରିବା ଆରମ୍ଭ କଲେ ।

 

 

 

 

(ରାଗ-କଲ୍ୟାଣଆହାରୀ)

ମଲ୍ଲୀ ମାଳିକା ଜାଳିକା କେଶ ପାଶେ

ବାଳିକା ନେଇ ନିବେଶିଲା

ମଞ୍ଜୁ ପୀତବାସ ପିନ୍ଧି

ପୀତବାସ ଚନ୍ଦନ ଅଙ୍ଗରେ ଲେପିଲା ।

ମୀନନୟନୀ, ଏ ଆଜି ବେଶକୁ ପାରିଲା

ମନ୍ଦ ମନ୍ଦ ହୋଇ ଧୂତୀ କର ଧରି ଯାଇ ବୃନ୍ଦାବନେ ମିଳିଲା ।୨୫।

 

ଯହିଁ ସର୍ବଦା ସର୍ବ ଋତୁ ଅଛନ୍ତି

ଦେଖିଲା ତା ସର୍ବ ମୋହିନୀ,

ଯୁବା ବସନ୍ତ କାନ୍ତ କାନ୍ତ ଆଗତେ

ଚୂତଲତା ସାତ୍ୱିକ ଘେନି ।

ଯତ୍ନ ପୁଲକ, କୁଳ ବକୁଳାବଳୀ ତାର

ଜଗତ ପ୍ରାଣ ପ୍ରକମ୍ପନ ବ୍ୟାଜେ କି କାମେ କମ୍ପିତ କଳେବର ? ।୨୬।

 

ରମ୍ୟ ବିକଚ ନବ ନୀପ ବଦନ

ନୃପରଥ ପ୍ରାୟେ ହୋଇଛି,

ରୋଳ ରୋଲମ୍ବ ରମ୍ୟମାଳ

ଶ୍ୟାମଳ ଚିରାଳ ମଞ୍ଜୁର ପାଇଛି ।

ରମ୍ୟ ତାହାର, ଘୋଷରେ ଘୋଷିତ ହୋଇଛି

ରମଣୀୟ ପରାଗ ପୁଷ୍ପରଥରେ ଧୃତ ଧୂଳି ଧାରା ଭଜିଛି ।୨୭।

 

ଲକ୍ଷିଣ କରିଣ ମାଧବ ଧବକୁ

ମାଳତୀ ଅନୁରାଗଭରେ

ଲଳିତ ସ୍ତବକ ସ୍ତନ ଦେଖାଇଛି

ରାଗ ପଲ୍ଲବ ଅଧରରେ

ଲମ୍ବ ଭ୍ରମରାଜି କୁନ୍ତଳାକୁ ଫେଡ଼ିଛି

ଲବଙ୍ଗ ପୁନାଙ୍ଗ ସଯୋଗୁ କଳିକା ମାଳିକା ବ୍ୟାଜେ ପୁଲକିଛି ।୨୮।

 

ଶବ୍ଦାର୍ଥ- (୨୫) ମନ୍ଦ ମନ୍ଦ-ଧୀର ଧୀର, (୨୭) ରମ୍ୟ-ସୁନ୍ଦର, ବିକଚପ୍ରସ୍ତୁଟିତ ।

ଭାବାର୍ଥ- (୨୫-୨୮) ସଖୀମାନେ ମଲ୍ଲୀମାଳିକା ନେଇ ରାଧାଙ୍କ ପାଖକୁ ଗଲେ । ପୀତବାସ ପୀତବସନ ପିନ୍ଧିଲେ । ଚନ୍ଦନ ଅଙ୍ଗରେ ଲେପିହେଲେ, ମୀନନେତ୍ରୀ ସୁବେଶ ସାରିଲେ । ପରେ ଦୂତୀର କର ଧରି ଧୀର ଗତିରେ ଯାଇ ବୃନ୍ଦାବନରେ ପ୍ରବେଶ କଲେ, ଯେଉଁଠାରେ ସର୍ବଦା ସବୁଋତୁ ବିରାଜମାନ କରୁଛନ୍ତି । ବସନ୍ତ ଯୁବକାବସ୍ଥା ନେଇ ଆସିଛି । ଆମ୍ରବୃକ୍ଷରେ ବକୁଳର ସୁବାସ । କାମର ଜ୍ୱାଳାରେ କଳେବର କମ୍ପିତ ହେଉଛି ।

 

ସେଇ ବୃନ୍ଦାବନର ଶୋଭା ଅତୀବ ରମଣୀୟ । ପ୍ରସ୍ଫୁଟିତ ପୁଷ୍ପରେ ତାହା ରାଜାଙ୍କ ରଥପ୍ରାୟ ଶୋଭା ପାଉଛି । ଭ୍ରମରର ଅବ୍ୟକ୍ତ ଧ୍ୱନି, ଶ୍ୟାମଳ ଚିରାଳ ଶୋଭାମୟ ହୋଇଛି । ସୌନ୍ଦର୍ଯ୍ୟ ଘୋଷରେ ଘୋଷିତ ହୋଇଛି । ରମଣୀୟ ପରାଗ ପୁଷ୍ପ ରଥରେ ପୂର୍ଣ୍ଣ ହୋଇ ଶୋଭିତ ଦେଖାଯାଉଛି । ମାଳତୀ ଫୁଲର ଅନୁରାଗରେ ପରିପୂର୍ଣ୍ଣ ସ୍ତବକ, ପଲ୍ଲବ, ଅଧର, ଭ୍ରମରାଦି କୁନ୍ତଳାରେ ବନଭୂମି ପୁଲକି ଉଠିଛି ।

 

ବାସନ୍ତୀ ଯୁବତୀ ଅଶୋକ ପତିକି

ଶାଖା ଭୁଜେ ଭିଡ଼ି ଶୋଭିତ

ବିକଚ କମଳ ପରାଗରେ ସଙ୍ଗୀ

କରି ଦେଖିଲା ବାତ କାନ୍ତ

ବଳେ ଯାଇଣ, ମିଶନ୍ତେ ଶରୀରେ ତାହାର

ବାରେ କି କମ୍ପିତ କିଶଳୟ କରେ କ୍ରୋଧେ ନିଆଳି ନାରୀବର ? ।୨୯।

 

ସୁନ୍ଦର କେତକୀ ପାଶରେ ମିଳିନ୍ଦ

ବୃନ୍ଦ ଦେଖି ଏହା ମଣଇ

ସମତ୍ତ ମଧୁପ ନାଦ ଶୁଣିବାରୁ

ବହୁ ସଞ୍ଜାତ କ୍ଷୋଭ ହୋଇ

ସେ ଯେ ସୁବର୍ଣ୍ଣ, କରତେ ହୋଇବେ କରତି

ସାରିବି ଜୀବନ ପୁଷ୍ପବନେ ଏଣୁ ଆତ୍ମହତ୍ୟାରେ ନାହିଁ ଭୀତି ।୩୦।

 

ସାରିକା ଶୁକ କୋକିଳ କଳକଳ

ଶୁଣି ମନେ ଏହା ବିଚାରି

ଶୁଭ ଭାରତୀ ଭାଷନ୍ତି ଦ୍ୱିଜ

ଭେଟ ହେବାକୁ କିଶୋର କିଶୋରୀ

ସୁର ସୁତାର ଅସିତ ଶୀତଳ ସଲିଳ

ଶୋଭିତ ସାନ୍ଦ୍ର ସାନ୍ଦ୍ର ସାରସ ଶ୍ରେଣୀ ମଭେ କି ସୁରଧୂନୀ ଧାର ? ।୩୧।

 

ଶ୍ରୀକୃଷ୍ଣ କେଳି ସଲିଳ ବୋଲି

ଅବଗାହ କଲେ ଦୁଷ୍ଟ ଭୂଗତ

ସନ୍ତୋଷ ବୋହି ଶରୀର ତାପୁ

କରି ନିମଗ୍ନ କଲେ ଏଥି ଗାତ୍ର ।

ଶ୍ରେଣୀ ନୟନ, କୋକନଦ ବ୍ୟାଜେ ଦିଶୁଛି

ସଫଳ ହୋଇଲି ବୋଲି ମକରନ୍ଦ ଛଳେ ଆନନ୍ଦାଶ୍ରୁ ମୁଞ୍ଚୁଛି ।୩୨।

 

ଶବ୍ଦାର୍ଥ- (୨୯) କିଶଳୟ-କଅଁଳପତ୍ର, (୩୦) ମିଳିନ୍ଦ-ଭ୍ରମର, ମଧୁପ-ଭ୍ରମର, (୩୨) ଅବଗାହ-ସ୍ନାନ କରିବା, କୋକନଦ-ରକ୍ତପଦ୍ମ, ମକରନ୍ଦ-ପୁଷ୍ପମଧୁ ।

 

ଭାବାର୍ଥ- (୨୯-୩୨) ବୃନ୍ଦାବନରେ ‘ବାସନ୍ତୀ’ ଯୁବତୀ ହୋଇଥିବା ବେଳେ ‘ଅଶୋକ’ ତା’ର ପ୍ରତି ଭାବେ ଶୋଭିତ । ଦୁହେଁ ଶାଖା ରୂପକ ଭୁଜରେ ଭିଡାଭିଡ଼ି ହୋଇ ଶୋଭା ପ୍ରକାଶ କରୁଛନ୍ତି । ପ୍ରସ୍ଫୁଟିତ ପଦ୍ମ ପରାଗରେ ବନଭୂମି ହସୁଛି । ପବନର କଲ୍ଲୋଳରେ ନବପତ୍ର ନିଆଳି ଫୁଲର ନାରୀଟିଏ ଯେମିତି ଖେଳୁଛି । ମନୋହର କେତକୀ ପାଶରେ ଭ୍ରମରଗଣକୁ ଦେଖୁ ମନ ମଧ୍ୟରେ ଏମିତି ଭାବନା ଆସୁଛି, ମତ୍ତ ଭ୍ରମରର ଗୁଞ୍ଜନ ଶୁଣିବାକୁ ବହୁ ସଞ୍ଜାତ ଶୋଭିତ ହୋଇ ସୁବର୍ଣ୍ଣର କରତରେ କରତି ହୋଇଯିବେ । ସେମାନେ କହିବେ, ପୁଷ୍ପବନରେ ଏ ଜୀବନକୁ ସାରିଦେବି, ଏଣୁ ଆତ୍ମ ହତ୍ୟାକୁ ଭୟ ନାହିଁ ।

 

ଶୁକ, ସାରୀ, କୋଇଲିଙ୍କ କଳରବ ଶୁଣି ମନରେ ବିଚାର ଆସୁଛି, ସତେ ଯେମିତି ଦ୍ୱିଜମାନେ କିଶୋର କିଶୋରୀଙ୍କ ମିଳନ ବାଞ୍ଛା କରି ଶୁଭ ମନ୍ତ୍ର ଉଚ୍ଚାରଣ କରୁଛନ୍ତି । ଯମୁନା ନଦୀର ଶ୍ୟାମଳ ଶୀତଳ ଜଳରାଶିର ବିନ୍ଦୁ ସାରସ ଶ୍ରେଣୀ ପରି ମନେ ହୁଏ । ଆକାଶରେ ସ୍ୱର୍ଗଗଙ୍ଗା ଧାରଟିଏ ଯେମିତି ଲାଗି ରହିଛି । ଶ୍ରୀକୃଷ୍ଣ କେଳି ସଲିଳ ବୋଲି ସମସ୍ତେ ସେଇ ଜଳରେ ସ୍ନାନ କଲେ । ନିଜ ନିଜର ଗାତ୍ରକୁ ପବିତ୍ର କଲେ । ସଫଳ ହେଲି ବୋଲି ପୁଷ୍ପମଧୁ ଛଳରେ ଆଖିରୁ ଆନନ୍ଦାଶ୍ରୁ ଝରାଇଲେ।

 

ହରି ମହିମାରୁ ଏବନ ନଦୀରୁ

କେତେ ହେଁ ଅବା ମୁଁ ବର୍ଣ୍ଣିଛି,

ହୋଇ ସେ ବନେ ଦୁତୀକି କୃଷ୍ଣ ପାଶେ

ପେଶିଲେକ ରାଧା ମୃଗାକ୍ଷୀ

ହରିଙ୍କି, ଆସି ରାଧାଙ୍କୁ ବେଗେ ନେଲା

ହରି ହରିଣାକ୍ଷୀ ଚତୁରାକ୍ଷ ଭେଟ ପ୍ରେମନଦୀ ତଟ ଲଙ୍ଘିଲା ।୩୩।

 

ତମେ ରାତି ସାରି ରତାନ୍ତ ସୁବେଶ

କରି କୃଷ୍ଣ ଶୋଭା ଦିଶନ୍ତି,

କ୍ଷୌଣୀ ଜିଣି ଶ୍ରମ ନାଶିବାକୁ

ରଥୁ ଓହ୍ଲାଇଛି କି ରତିପତି ?

କ୍ଷଣେ ମନରୁ, ସେ ପ୍ରଭୁ ପ୍ରେମମୟ ରସ

କ୍ଷୟ ନୋହିବ ବୋଲି ତାଙ୍କ ଚରଣେ ରସେ ଶ୍ୟାମଘନ ମାନସ ।୩୪।

 

ଶବ୍ଦାର୍ଥ- (୩୩) ଚତୁରାକ୍ଷ-ଚାରିଚକ୍ଷୁ, (୩୪) କ୍ଷୌଣି-ପୃଥିବୀ ।

ଭାବାର୍ଥ- (୩୩-୩୪) ଏ ସବୁ ଅବଲୋକନ କରି କବି କହୁଛନ୍ତି- ହରିଙ୍କ ମହିମାରୁ ଏ ବନ ନଦୀର କେତେ ବା ବର୍ଣ୍ଣନା ସେ କରିନାହାନ୍ତି ? ସେଠାକୁ କୃଷ୍ଣଙ୍କ ପାଖକୁ ଦୁତୀ ହୋଇ ରାଧାଙ୍କୁ ପଠାଇଛନ୍ତି । ତୁରନ୍ତ ଆସି କୃଷ୍ଣ, ରାଧାଙ୍କୁ ପାଖକୁ ନେଲେ । ହରି ଓ ହରିଣାକ୍ଷୀ ରାଧାଙ୍କର ଚାରିଚକ୍ଷୁର ମିଳନ ଘଟିଲା । ପ୍ରେମନଦୀର ତଟ ଭାଙ୍ଗିଲା । ରତିକ୍ରିୟା ସାରିବା ପରେ ନିଜକୁ ସୁବେଶ କରି କୃଷ୍ଣ ଶୋଭାମୟ ଦେଖାଗଲେ । ତାଙ୍କୁ ଦେଖି ମନେ ହେଲା- ପୃଥିବୀ ଜିଣିବା ପରେ ଶ୍ରମ ଲାଘବ ପାଇଁ କନ୍ଦର୍ପ ଯେମିତି ରଥରୁ ଓହ୍ଲାଇଛି । ପ୍ରଭୁଙ୍କର ପ୍ରେମମୟ ରସ କ୍ଷଣିକ ପାଇଁ ମଧ୍ୟ ମନରୁ ପାସୋର ନ ଯାଉ । କବି ଶ୍ୟାମଘନ ଏହା ମନରେ ଚିନ୍ତା କଲେ ।