କେଶବ କୋଇଲି ଚଉତିଶା

କେଶବ କୋଇଲି ଚଉତିଶା

ମାର୍କଣ୍ଡ ଦାସ

 

(ଇଂରାଜୀ ଶବ୍ଦ ‘Lyric’ର ଓଡ଼ିଆ ଅର୍ଥ ହେଲା-ଗୀତି କବିତା ଓ ‘Ballad’ର ଅର୍ଥ ହେଉଛି-ଗାଥା କବିତା । Lyrical Ballad କହିଲେ ବୁଝାଯିବ-ଗୀତି-ଗାଥା କବିତା । ଇଂରାଜୀ ସାହିତ୍ୟର ଏହି ଶବ୍ଦ ଯାହା ଓଡ଼ିଆ ସାହିତ୍ୟରେ ‘କୋଇଲି ଚଉତିଶା’ ତାହା ।

 

ଓଡ଼ିଆ ସାହିତ୍ୟରେ ‘କୋଇଲି’ର ସଂଖ୍ୟା ଖୁବ୍‌ କମ୍‌ । କୋଇଲି ଚଉତିରିଶି ପଦ ବିଶିଷ୍ଟ ଚଉତିଶାର ସମସ୍ତ ଗୁଣକୁ ବହନ କରୁଥିବାରୁ ଅର୍ଥାତ୍‌ ‘କ’ ଠାରୁ ‘କ୍ଷ’ ଯାଏଁ ଚଉତିରିଶି ପଦକୁ ନେଇ ରଚିତ ହୋଇଥିବାରୁ ଏହାକୁ ଚଉତିଶା କୁହାଯାଇପାରିବ । ଉଭୟ କୋଇଲି ଓ ଚଉତିଶା ମଧ୍ୟରେ ଯେଉଁ ସବୁ ବିଷୟ ବର୍ଣ୍ଣିତ ସେଥିରେ ବି କୌଣସି ପ୍ରଭେଦ ନାହିଁ । ତେଣୁ କୋଇଲିକୁ ଚଉତିଶା ପଦବାଚ୍ୟ କରିବାରେ କୌଣସି ଅପ୍ରାସଙ୍ଗିକତା ନାହିଁ । କୋଇଲି-ଚଉତିଶାର ଏକତ୍ର ଓ ଅବସ୍ଥାନ ଘଟିଛି ଏଠାରେ ।

 

ପ୍ରାୟତଃ ‘କୋଇଲି’ କହିଲେ ସାଧାରଣ ଲୋକେ ମାର୍କଣ୍ଡ ଦାସଙ୍କ ‘କେଶବ କୋଇଲି’କୁ ହିଁ ବୁଝିଥା’ନ୍ତି । ଏହା ସର୍ବପ୍ରଥମ କବିତାଭାବେ ସ୍ୱୀକୃତ ଓ ବିଷୟବସ୍ତୁ ଦୃଷ୍ଟିରୁ ବେଶ୍‌ ମନୋଜ୍ଞ । ଏହା ଏତେ ଲୋକପ୍ରିୟ ଯେ ଦୀର୍ଘ ଛ’ଶହ ସାତ ଶହ ବର୍ଷ ଧରି ଓଡ଼ିଆ ଜନମାନସରେ ବଞ୍ଚି ରହିଛି । ପୁଣି ଏଇ ଗୋଟିଏ ମାତ୍ର ସୃଷ୍ଟି କବିଙ୍କୁ ଅସରନ୍ତି ସମ୍ମାନ ଓ ପ୍ରଶଂସା ଦେଇଛି, ଯାହାକି ଅନ୍ୟ କବିମାନେ ଏହିଭଳି ଜନପ୍ରିୟତା ପାଇ ପାରିନାହାନ୍ତି ।

 

କବି ମାର୍କଣ୍ଡ ଦାସଙ୍କ ସମ୍ପର୍କରେ ଏ ଯାବତ୍‌ କୌଣସି ତଥ୍ୟ ମିଳିନାହିଁ । ଆନୁମାନିକ ତାଙ୍କର ସମୟ ୧୫ଶ ଶତାବ୍ଦୀ ବୋଲି ଧରି ନିଆଯାଇଛି । ‘ମହାଭାଷ’ ଓ ‘କେଶବ କୋଇଲି’ ତାଙ୍କର ସୃଷ୍ଟି । ‘ମହାଭାଷ’ ଦୁଷ୍ପ୍ରାପ୍ୟ । କୋଇଲି କବିତାର ଆଦ୍ୟ ସ୍ରଷ୍ଟାଭାବେ ସେ ସ୍ମରଣୀୟ । ‘କେଶବ କୋଇଲି’ରେ ପୁତ୍ର ବିଚ୍ଛେଦ ଜନିତ ମର୍ମବେଦନା ମାତା ଯଶୋଦାଙ୍କ ହୃଦୟରେ କିପରି ଫୁଟି ଉଠିଛି, ତା’ର ମର୍ମସ୍ପର୍ଶୀ ଆଲେଖ୍ୟ ଏଥିରେ ଦେଖୁଁ । ଏହି ଚିତ୍ର ଓଡ଼ିଶାର ପ୍ରତ୍ୟେକ ପୁରପଲ୍ଲୀର ମାତୃହୃଦୟର ଚିତ୍ର ।

 

କୋଇଲି କେଶବ ଯେ ମଥୁରାକୁ ଗଲା ।

କାହା ବୋଲେ ଗଲା ପୁତ୍ର ବାହୁଡ଼ି ନଇଲା ଲୋ କୋଇଲି ।୧।

କୋଇଲି ଖଣ୍ଡକ୍ଷୀର ଦେବି ମୁଁ କାହାକୁ ।

ଖାଇବାର ପୁତ୍ର ଗଲା ମଥୁରାପୁରକୁ ଲୋ କୋଇଲି ।୨।

କୋଇଲି ଗଲାପୁତ୍ର ବାହୁଡ଼ି ନଇଲା ।

ଗହନ ତୋ ବୃନ୍ଦାବନ ଶୋଭା ନ ପାଇଲା ଲୋ କୋଇଲି ।୩।

କୋଇଲି ଘରମୋର ନ ମଣନ୍ତି ନନ୍ଦ ।

ଘଟଣ ନ ଦିଶେ ପୁରେ ନ ଥିଲେ ଗୋବିନ୍ଦ ଲୋ କୋଇଲି ।୪।

କୋଇଲି ନନ୍ଦ ଦେହ ପାଷାଣେ ଗଢ଼ିଲା

ନୟନେ କଜ୍ଜ୍ୱଳ ଦେଇ ରଥେ ବସାଇଲା ଲୋ କୋଇଲି ।୫।

 

ଭାବାର୍ଥ- (୧-୫) ବାଳକ କୃଷ୍ଣ ଧନୁଯାତ୍ରା ଦେଖିବାକୁ ମଥୁରାକୁ ଯାଇଛି । ଗଲାବେଳେ ମାତା ଯଶୋଦାଙ୍କୁ କଥା ଦେଇଥିଲା- ଶୀଘ୍ର ଫେରିଆସିବ । ଆସିବାର ବିଳମ୍ବ ହୋବାରୁ ମାତାଙ୍କ ହୃଦୟ ବିଳାପ କରିଛି । ନିଜର ମନ ବେଦନାକୁ କୋଇଲି ଆଗରେ ପ୍ରକାଶ କରିଛନ୍ତି ଯଶୋଦା । ଲୋ କୋଇଲି, କେଶବ ମଥୁରାକୁ ଗଲାଣି । କାହା ବୋଲରେ ପଡ଼ିଛି ଯେ ଏବେ ଯାଏଁ ବାହୁଡ଼ି ଆସିଲା ନାହିଁ ।

 

ଲୋ କୋଇଲି, ଖଣ୍ଡକ୍ଷୀର ମୁଁ କାହାକୁ ଦେବି ? ଯିଏ ତ ଖାଇଥା’ନ୍ତା, ସିଏ ଏବେ ମଥୁରାପୁରକୁ ଚାଲିଯାଇଛି ।

ଲୋ କୋଇଲି, ମୋ ପୁତ୍ର ମଥୁରାକୁ ଯାଇଛି ଯେ, ବାହୁଡ଼ି ଆସିନାହିଁ । ଭାବୁଛି ଏ ଗହନ ବୃନ୍ଦାବନର ଶୋଭା ତା’ ମନକୁ ପାଇଲା ନାହିଁ ।

 

ପୁତ୍ର ଘରେ ନ ଥିବାରୁ ତାହା ଘର ପରି ଲାଗୁନାହିଁ । ସ୍ୱାମୀ ନନ୍ଦରାଜା ଘରକୁ ଦେଖି ପୁତ୍ରକୁ ଝୁରୁଛନ୍ତି । କିଛି ସୁଖ ଲାଗୁନାହିଁ । ଗୋବିନ୍ଦ (କୃଷ୍ଣ) ବିନା ଏ ଘର ଖାଲି ଖାଁ ଖାଁ ଲାଗୁଛି ।

 

କୋଇଲି ଲୋ, ନନ୍ଦରାଜାଙ୍କ ଦେହ ବିଧାତା ପାଷାଣରେ ଗଢ଼ିଛି । ନ ହେଲେ ଚକ୍ଷୁରେ କଜ୍ଜ୍ୱଳ ଦେଇ ଆନନ୍ଦରେ ରଥ ଉପରେ ବସାଇ ଦେଇଥା’ନ୍ତେ କି ?

 

କୋଇଲି ଚଳୁଥାଇ କଟୀସ୍ଥ ମେଖଳି ।

ଚକିତ ହୋଇଲେ ଶୁଣି ଗୋପପୁର ବାଳୀ ଲୋ କୋଇଲି ।୬।

କୋଇଲି ଛାଟକେ ମୁଁ ମାଇଲି ପୂରୁବେ ।

ଛାଡ଼ି ଅବା ଗଲେ କୃଷ୍ଣ ସେହି ପରାଭବେ ଲୋ କୋଇଲି ।୭।

କୋଇଲି ଦୂତପଣେ ଅଇଲା ଅକ୍ରୂର ।

ଯାତ୍ରା ବୋଲି ଭଣ୍ଡି ନେଲା ବସାଇ ରଥରେ ଲୋ କୋଇଲି ।୮।

କୋଇଲି ଝରୁ ଝରୁ ଲୁହ ନ ରହିଲା ।

ଝଗଡ଼ା ସାରିଣ କୃଷ୍ଣ ମଥୁରା ରହିଲା ଲୋ କୋଇଲି ।୯।

କୋଇଲି ନିଶାକାଳେ ହରିମାଗେ ଚାନ୍ଦ ।

ନୟନେ ଟେକିଣ ତାକୁ ରାଉଥାନ୍ତି ନନ୍ଦ ଲୋ କୋଇଲି ।୧୦।

 

ଭାବାର୍ଥ- (୬-୧୦) ପୁଅ ମୋର ଅଣ୍ଟାରେ ମେଖଳା ବାନ୍ଧିଛି । ଚାଲିଲା ବେଳେ ଝୁଣୁଝୁଣୁ ଶବ୍ଦରେ ସମସ୍ତଙ୍କ ଚିତ୍ତ ମୋହିଥାଏ । ତା’ର ସେ ମେଖଳା ଶବ୍ଦଶୁଣି ଗୋପପୁରର ବାଳୀମାନେ ଚଳିତ ହେଲେ କି ?

 

ଲୋ କୋଇଲି ମୋ ମନକୁ ଏବେ ଭାବନା ଆସୁଛି । ଦିନେ ତାକୁ ଛାଟରେ ପିଟିଥିଲି । ଭାବୁଛି, ସେଇ ରାଗରେ ମୋତେ ଛାଡ଼ି ଚାଲିଗଲାକି ?

 

କୋଇଲି, କଂସରାଜାର ଦୂତଭାବରେ ଅକ୍ରୂର ଏଠାକୁ ଆସିଥିଲେ । ମନରେ ମୋର ସନ୍ଦେହ ଆସୁଛି, ଯାତ୍ରା ହେଉଛି ବୋଲି ମିଛଟାରେ ରଥରେ ବସାଇ ଭଣ୍ଡି ନେଇଗଲେ କି ?

 

ଲୋ କୋଇଲି, ପୁତ୍ର କୃଷ୍ଣର ବିଚ୍ଛେଦ ଦୁଃଖ ମୋତେ ଅନବରତ ଘାରୁଛି । ଆଖିରୁ ବାରମ୍ବାର ଲୁହ ଝରୁଛି । ଆଖିରେ ଆଉ ଲୁହ ରହୁନାହିଁ । ମଥୁରାରେ ଝଗଡ଼ା ଶେଷ କରି ମଥୁରାରେ ରହିଗଲା ପରା ?

 

ପୁତ୍ରର ପିଲାଦିନର କଥାକୁ ମନେପକାଇ ଯଶୋଦା ପୁଣି କୋଇଲିକୁ କହୁଛନ୍ତି-ଲୋ କୋଇଲି, ରାତି ସମୟରେ ଆକାଶରେ ଜହ୍ନ ଦେଖିଲେ ହରି (କୃଷ୍ଣ) ତାକୁ ମାଗେ । ନନ୍ଦରାଜା ଆକାଶକୁ ଆଖି ଟେକି ଚାହିଁ ଜହ୍ନକୁ ଡାକନ୍ତି ।

 

କୋଇଲି ଟହଟହ ହସୁଥାନ୍ତି କୋଳେ ।

ଟଳ ଟଳ ହେଉଥାନ୍ତି ଝୁଲିବାର ବେଳେ ଲୋ କୋଇଲି ।୧୧।

କୋଇଲି ଠଣ ଯେ ସୁନ୍ଦର ବେନି ପୋଏ ।

ଠକି ଭଣ୍ଡି ଗଲେ କୃଷ୍ଣ ନଇଲେ ବେତାଏ ଲୋ କୋଇଲି ।୧୨।

କୋଇଲି ଡାକିଲେ ଭାଷଇ ଯେହ୍ନେ ଶାରୀ ।

ଡାଳେ ରତ୍ନଶୁଆ ପ୍ରାୟ ଭାଷୁଥାନ୍ତି ହରି ଲୋ କୋଇଲି ।୧୩।

କୋଇଲି ଢଳଢଳ ନୟନେ କଜ୍ଜ୍ୱଳ

ଢଳଇ ନାସାରେ ମୋତି ମାଣିକ୍ୟର ଫଳ ଲୋ କୋଇଲି ।୧୪।

କୋଇଲି ଅନେକ ହିଁସିଲା ରାୟ କଂସ ।

ଅଣହେଳା କରିଣ ଆପଣେ ଗଲା ନାଶ ଲୋ କୋଇଲି ।୧୫।

 

ଭାବାର୍ଥ- (୧୧-୧୫) ପୁତ୍ରର ହସ ହସ ମୁଖକୁ ମନେ ପକାଇ ମାତା ଯଶୋଦା କୋଇଲିକୁ କହୁଛନ୍ତି- ଲୋ କୋଇଲି, ମା କୋଳରେ କୃଷ୍ଣ ବସିଥିବା ବେଳେ ଟହଟହ ହସୁଥା’ନ୍ତି । ତାକୁ ମନେ ପକାଇଲେ ମୋ ଛାତି ଫାଟିଯାଉଛି । ସେ ଯେତେବେଳେ ମୋ କୋଳରେ ଝୁଲୁଥାଏ, ସେତେବେଳେ ଟଳଟଳ ହୁଏ ।

 

ମୋ ଦୁଇପୁତ୍ର କୃଷ୍ଣ, ବଳରାମର ଠାଣି, ରୂପ ଅତି ସୁନ୍ଦର । କଂସ ଅକ୍ରୂରଙ୍କୁ ପଠାଇ ଠକି ଭିଣ୍ଡି ନେଇଗଲା । କୃଷ୍ଣ ସେଠାରୁ ଫେରୁନାହିଁ ।

 

ଡାକିଲେ ଶାରୀ ଯେମିତି କଥା କହେ, ସେମିତି ମୁଁ ଯେତେବେଳେ ତାକୁ ଡାକେ ରତ୍ନ ଶୁଆ ପ୍ରାୟ ଡାଳରେ ରହି ସେ ଭାଷୁଥାଏ ।

 

ଲୋ କୋଇଲି, ତା’ ଢଳଢଳ ନୟନରେ କଜ୍ୱଳ ଦେଲି, ତା’ ନାସାରେ ମୋତି ମାଣିକ୍ୟ ଲଗାଇଲି ।

ମୋ ପୁତ୍ରକୁ ରାଜା କଂସ ବହୁତ ହିଂସା କରୁଛି । ନିଜ କୂଟରେ ନିଜେ ନାଶଗଲା ।

 

 

କୋଇଲି ତନୁରେ ତା ଲେପଇ କୁଙ୍କୁମ ।

ତନୟେ ଖେଳାଉଥାନ୍ତି ଭାଇ ବଳରାମ ଲୋ କୋଇଲି ।୧୬।

କୋଇଲି ଥନ ଭାଙ୍ଗି କ୍ଷୀରପାନ ଦେଲି ।

ଥବିର କାଳକୁ ପୁତ୍ର ଦେଖି ନ ପାରିଲି ଲୋ କୋଇଲି ।୧୭।

କୋଇଲି ଦଉଡ଼ିରେ ବାନ୍ଧିଲି ପୁତ୍ରକୁ ।

ଦାମୋଦର ରାଗେ ଗଲେ ମଥୁରାପୁରକୁ ଲୋ କୋଇଲି ।୧୮।

ଧନ୍ୟ ସେହୁ ଦଇବକୀ ନାରୀ ।

ଧର୍ମ ଥିଲା ପୁତ୍ର ଗୋଟି ହୋଇଲା ତାହାରି ଲୋ କୋଇଲି ।୧୯।

କୋଇଲି, ନ ଶୋଭଇ ଗୋପପୁର ମୋର ।

ନାରାୟଣ ଗଲା ଦିନୁ ମଥୁରା ନଗର ଲୋ କୋଇଲି ।୨୦।

 

ଭାବାର୍ଥ- (୧୬-୨୦) ଲୋ କୋଇଲି, ପୁତ୍ରର ଶରୀରରେ କୁଙ୍କୁମ ଲେପି ଦେଉଥାଏ । ବଳରାମ ତାକୁ ଖେଳାଉଥାଏ । ସେ କଥା ଏବେ ମନେ ପଡ଼ୁଛି ।

 

ଥନ ଭାଙ୍ଗି ପୁତ୍ର କହ୍ନାଇକୁ କ୍ଷୀର ପାନ କରାଇଲି । ଏବେ ଥବିର (ବୃଦ୍ଧା) କାଳକୁ ତାକୁ ଦେଖିପାରିଲି ନାହିଁ । ଏହା ମୋତେ ବେଶି କଷ୍ଟ ଦେଉଛି ।

 

ପୂର୍ବର ଏକ ଘଟଣାକୁ ମନେପକାଇ ଯଶୋଦା ଅନୁତାପ ଜର୍ଜରିତା ହୋଇ କହୁଛନ୍ତି- ଲୋ କୋଇଲି, ଦୁଷ୍ଟ ହେବାରୁ ଦିନେ କହ୍ନାଇକୁ ଦଉଡ଼ିରେ ବାନ୍ଧି ଦେଇଥିଲି । ବୋଧେ ସେଇ ରାଗରେ ପୁତ୍ର ମୋର ମଥୁରା ପୁରକୁ ଚାଲିଗଲା ।

 

ଦେବକୀ (ଦଇବକୀ)ର ଜୀବନ ଧନ୍ୟ । ତା’ର ଧର୍ମବଳ ବେଶି । ଯାହା ଫଳରେ କୃଷ୍ଣଭଳି ପୁତ୍ର ପାଇଛି ବା ଏବେ ସେ ଦେବକୀଙ୍କ ପାଖକୁ ଚାଲିଯିବ ।

 

ଲୋ କୋଇଲି, ପୁତ୍ର କୃଷ୍ଣବିନା ଏ ଗୋପପୁର ଶ୍ରୀହୀନ ହୋଇପଡ଼ିଛି । ସେ (ନାରାୟଣ) ମଥୁରା ନଗରକୁ ଗଲା ଦିନରୁ ସବୁ ଏଠାରୁ ହସଖୁସି ଲିଭିଯାଇଛି ।

 

କୋଇଲି ପବିତ୍ର ପୁରୁଷ ମୋ ମାଧୋଇ

ପବିତ୍ର ମୁଁ ହେଉଥିଲି କୃଷ୍ଣମୁଖ ଚାହିଁ ଲୋ, କୋଇଲି ।୨୧।

କୋଇଲି ଫଳିବାକୁ ନାହିଁ ମୋର ଆଶ,

ଫଳିବାର ଫଳଗଲା ବସୁଦେବ ପାଶ ଲୋ, କୋଇଲି ।୨୨।

କୋଇଲି ବହୁତ ସହିଲି ତାଙ୍କ ଅଳି

ବଢ଼ଇ ଶରଧା ଭାଙ୍ଗିଗଲେ ବନମାଳୀ ଲୋ, କୋଇଲି ।୨୩।

କୋଇଲି ଭଣ୍ଡି ମୋତେ ବେନି ପୋଏ

ଭାଇ ତାଙ୍କ ବଳରାମ ନଇଲେ ବେଢ଼ାଏ ଲୋ, କୋଇଲି ।୨୪।

କୋଇଲି, ମଥୁରାକୁ ଯିବି ମୁଁ କି ଧାଇଁ

ମାଧବ, ମଧୁସୂଦନ ଆଣିବି କଢ଼ାଇ ଲୋ, କୋଇଲି ।୨୫।

 

ଭାବାର୍ଥ- (୨୧-୨୫) କୋଇଲି, ମୋ ମାଧୋଇ ପବିତ୍ର ପୁରୁଷ । କୃଷ୍ଣ ମୁଖ ଚାହିଁ ମୁଁ ଅଧିକ ପବିତ୍ର ହେଉଥିଲି । ଏବେ ତାକୁ ହରାଇଛି ।

 

ମୋର ଆଉ ସନ୍ତାନ ସନ୍ତତି ହେବାର ଆଶା ନାହିଁ । ଯାହା ଫଳ ବା ପାଇଥିଲି ବା କୃଷ୍ଣକୁ ପୁତ୍ର ରୂପେ ପାଇଥିଲି, ସେ ଏବେ ବସୁଦେବଙ୍କ ପାଖକୁ ଚାଲିଗଲା । ସେଇ ଦୁଃଖରେ ଭାଙ୍ଗି ପଡ଼ୁଛି ।

 

ଲୋ କୋଇଲି, ତାଙ୍କ ଅଳି ବହୁତ ସହିଲି । ବହୁତ ଶରଧା କଲି । ସେ ସବୁକୁ ଭାଙ୍ଗି ପୁତ୍ର (ବନମାଳୀ) ମୋର ମଥୁରାକୁ ଚାଲିଗଲା । ମୋ ମନ ନିରାଶରେ ମଉଳି ଯାଉଛି ।

 

ମୋତେ ଭଣ୍ଡି ଦେଇ ଦୁଇ ପୁଅଯାକ ମଥୁରାକୁ ଗଲେ ଯେ ଗଲେ ଫେରିବାର ନାଁ ଗନ୍ଧ ନାହିଁ । ବଳରାମ ମଧ୍ୟ ଏଠାକୁ ବେଢ଼ାଏ ବୁଲି ଆସିଲା ନାହିଁ ।

 

କୋଇଲି ଲୋ, ଏ ସବୁ ଭାବି ମୋ ମନ ଏବେ ବଡ଼ ଉଚ୍ଛନ୍ନ ହେଉଛି । ଭାବୁଛି, ମଥୁରାକୁ ଧାଇଁ ଯିବି କି ? ଦୁଇ ଭାଇ ମାଧବ, ମଧୁସୂଦନ (କୃଷ୍ଣ ବଳରାମ)ଙ୍କୁ ଏଠାକୁ ସଙ୍ଗରେ ନେଇଆସିବି ।

 

କୋଇଲି, ଯିବେ ଯେ ଆସିବେ, ବୋଲି ଗଲେ

ଜଗତ ଜୀବନ ପ୍ରଭୁ ବାହୁଡ଼ି ନଇଲେ ଲୋ, କୋଇଲି ।୨୬।

କୋଇଲି, ରତ୍ନବସ୍ତ୍ର ଅଳଙ୍କାର ମାନ,

ରାମକୃଷ୍ଣ ଶ୍ରୀଅଙ୍ଗକୁ ଦିଶେ ଶୋଭାବନ ଲୋ କୋଇଲି ।୨୭।

କୋଇଲି, ଲକ୍ଷ୍ମୀବନ୍ତ ଅଟେ ନାରାୟଣ,

ଲଳିତରେ ନାମ ଦେଲେ ଗାର୍ଗବ ବ୍ରାହ୍ମଣ ଲୋ, କୋଇଲି ।୨୮।

କୋଇଲି, ବୃନ୍ଦାବନ ନ ଶୋଭଇ ମୋର

ବତ୍ସା କିଏ ଚରାଇବ ଯମୁନାର ତୀର ଲୋ, କୋଇଲି ।୨୯।

କୋଇଲି, ଶ୍ରୀମନ୍ତ ପୁରୁଷ ମୋ ମାଧୋଇ

ଶିରୀରଙ୍ଗ ଗଲାଦିନୁ ନନ୍ଦ ହେଲେ ବାଇ ଲୋ, କୋଇଲି ।୩୦।

 

ଭାବାର୍ଥ- (୨୬-୩୦) ଲୋ କୋଇଲି, ଅକ୍ରୂର ସଙ୍ଗରେ ଗଲାବେଳେ ଦୁଇ ଭାଇ ଶୀଘ୍ର ଫେରିଆସିବେ ବୋଲି କହିଯାଇଥିଲେ, ଜଗତ ଜୀବନ ପ୍ରଭୁ (କୃଷ୍ଣ) ଆଉ ବାହୁଡ଼ି ଆସିଲେ ନାହିଁ ।

 

କୋଇଲି ଲୋ, ଦୁଇ ଭାଇ ରାମକୃଷ୍ଣଙ୍କ ଅଙ୍ଗରେ ରତ୍ନବସ୍ତ୍ର ଅଳଙ୍କାର ସଜେଇ ମଥୁରାକୁ ଛାଡ଼ିଥିଲି । ସେସବୁ ସେମାନଙ୍କୁ ଖୁବ୍‌ ଶୋଭା ଦିଶୁଛି ।

 

ମୋ ପୁତ୍ର ଲକ୍ଷ୍ମୀବନ୍ତ, ଗାର୍ଗବ ବ୍ରାହ୍ମଣ ଶ୍ରଦ୍ଧାରେ ନାଁ ନାରାୟଣ ରଖିଛନ୍ତି । ତା’ ବିନା ମୋ ଜୀବନ ନିରର୍ଥକ ହୋଇ ପଡ଼ୁଛି ।

 

କୋଇଲି ଲୋ, କୃଷ୍ଣ ଗଲା ଦିନଠୁଁ ବୃନ୍ଦାବନ ଶିରୀ ଶୂନ୍ୟ ହୋଇପଡ଼ିଛି । ଯମୁନାର କୂଳରେ କିଏ ଆଉ ବତ୍ସା (ବାଛୁରୀ) ଚରାଇବ ?

 

ମୋ ମାଧୋଇ ଶ୍ରୀମନ୍ତ ପୁରୁଷ, ଶିରୀରଙ୍ଗ (କୃଷ୍ଣ) ମଥୁରା ଗଲାଦିନଠୁଁ ନନ୍ଦରାଜା ପାଗଳ ପ୍ରାୟ ହୋଇଗଲେଣି । ଖାଇବା, ପିଇବା ତାଙ୍କୁ ଭଲ ଲାଗୁନାହିଁ ।

 

କୋଇଲି, ଶଶୀ ଯେହ୍ନେ ଦିନୁଦିନ କ୍ଷୀଣ,

ସେହିପରି କ୍ଷୀଣ ହେଲେ ମୋ ନନ୍ଦ ରାଜନ ଲୋ, କୋଇଲି ।୩୧।

କୋଇଲି, ସାତ ଦିନ ଇନ୍ଦ୍ର ବୃଷ୍ଟି କଲା

ସପତ ବରଷ ପୁତ୍ର ମନ୍ଦର ଧଇଲା ଲୋ, କୋଇଲି ।୩୨।

କୋଇଲି, ହାଇ ଯେ ମାରଇ ପୁତ୍ର ତୁଣ୍ଡ

ହୃଦରେ ଦିଶିଲା ତାର ସପତ ବ୍ରହ୍ମାଣ୍ଡ ଲୋ, କୋଇଲି ।୩୩।

କୋଇଲି, କ୍ଷନ୍ଦଣ ବନ୍ଦଣି ଭୁଜ ଦଣ୍ଡ,

କ୍ଷମାକର ଦୋଷ ମୋର ଭଣେ ମାରକଣ୍ଡ ଲୋ, କୋଇଲି ।୩୪।

 

ଭାବାର୍ଥ- (୩୧-୩୪) କୃଷ୍ଣ ମଥୁରାକୁ ଗଲା ଦିନଠୁଁ ତାକୁ ଝୁରି ଝୁରି ନନ୍ଦରାଜାଙ୍କ ଦେହ ଭଲ ରହୁନାହିଁ । ଚନ୍ଦ୍ର ଯେମିତି ଦିନକୁ ଦିନ କ୍ଷୀଣ ହୋଇଥାଏ, ସେମିତି ତାଙ୍କ ଶରୀର କ୍ଷୀଣ ହୋଇଯାଏ ।

 

କୋଇଲି ଲୋ, ଇନ୍ଦ୍ର ସାତଦିନ ଯାଏ ବୃଷ୍ଟି କଲେ । ଗୋପପୁରବାସୀଙ୍କୁ ଇନ୍ଦ୍ର ଦାଉରୁ ରକ୍ଷା ପାଇବାକୁ ସାତ ବର୍ଷର ବାଳୁତ ପୁତ୍ର କୃଷ୍ଣ ମନ୍ଦର (ପର୍ବତ) ଧରି ସେମାନଙ୍କୁ ଆଶ୍ରୟ ଦେଲା ।

 

କୋଇଲି ଲୋ, ପିଲାଟି ସିନା, ତା’ର ଶକ୍ତି ବହୁତ । ଦିନେ ସେ ହାଇମାରୁଥିଲା ବେଳେ ତା’ ତୁଣ୍ଡ ଭିତରେ ସପ୍ତ ବ୍ରହ୍ମାଣ୍ଡ ଦେଖିଲି ।

 

କବି ମାର୍କଣ୍ଡ ଦାସ ସେଇ ପରମ ପ୍ରେମମୟ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରି ତାଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

 

‘କେଶବ କୋଇଲି’ ରଚିତ ହେବାର ଦୀର୍ଘ ଦେଢ଼ଶହ ବର୍ଷ ପରେ ଭାଗବତ ଗ୍ରନ୍ଥର ରଚୟିତା କବି ଜଗନ୍ନାଥ ଦାସ ‘କେଶବ କୋଇଲି’ର ଆଧ୍ୟାତ୍ମିକ ବ୍ୟାଖ୍ୟା ‘ଅର୍ଥ କୋଇଲି’ରେ କରିଛନ୍ତି । ପାଠକଙ୍କ ଅବଗତ ପାଇଁ ଆମେ ଏହାକୁ ଏଠାରେ ଉପସ୍ଥାପନ କରୁଛୁ ।

 

(କ) କୋଇଲିର ଅର୍ଥ ଏଠାରେ ଜୀବ । ସେ ସର୍ବତ୍ର ବିଦ୍ୟମାନ । ସେ ଆସିଥିଲା ପୁଣି ଚଳିଗଲା । ପୁତ୍ର ଜୀବ ଚାଲିଗଲା ଆଉ ମଥୁରା ରୂପକ ପିଣ୍ଡ ପଡ଼ିରହିଲା ।

 

(ଖ) ଜୀବ ପିଣ୍ଡରେ ରହି ମହାସୁଖ ପାଇଥାଏ । ହରିରସ ହେଉଛି ଖଣ୍ଡକ୍ଷୀର । ଜୀବ ଚାଲିଯିବାରୁ ଏହା ବିଅର୍ଥ ହେଲା ।

 

(ଗ) ଗହନର ଅର୍ଥ ହେଉଛି ଜୀବ । ଗୋପପୁର ଦେହ ଗୋଟା ଶୋଭା ପାଉନାହିଁ । ପିଣ୍ଡକୁ ଛାଡ଼ି ପରମ ଚାଲିଗଲା । ତେଣୁ ପିଣ୍ଡ ଭୂମିରେ ପଡ଼ିଲା ।

 

(ଘ) ଘଟଣ ପୁରୁଷ ଛାଡ଼ିକରି ଯିବାରୁ ନନ୍ଦ ଯିଏ ପରମ ସେଠାରେ ନିଷ୍ଫଳ ହେଲା । ପରମକୁ ନେଇ ଜୀବ ଚାଲିଯିବାରୁ ଘରଟି ଅଶୋଭା ଦିଶିଲା ।

 

(ଙ ବା ନ) ଏଠାରେ ନନ୍ଦ ଦେହ ହେଉଛି ଦେହ, ଏ ଜୀବନ ଯେହେତୁ ଅନ୍ତରୀକ୍ଷକୁ ଗଲା, ସେଠାରେ ନିରାଶ ହୋଇ ଆଉ ବାହୁଡ଼ି ଆସିଲା ନାହିଁ । ପିଣ୍ଡରୁ ଜୀବ ଛାଡ଼ିଲେ ଆଖିରୁ ଲୁହ ଝରେ । ଏହାକୁ ଶାସ୍ତ୍ରରେ କଜ୍ଜ୍ୱଳ କୁହାଯାଇଛି ।

 

(ଚ) ପିଣ୍ଡରେ ପରମ ଯେବେ ଲୀଳା କରେ, ପିଣ୍ଡ ସେତେବେଳେ ନିଶ୍ଚଳ ହୋଇଯାଏ । ପରମକୁ ନେଇ ଯେତେବେଳେ ଜୀବ ଚଳିଗଲା ସେତେବେଳେ ସେ ନିଶ୍ଚଳ ହୋଇଗଲା ।

 

(ଛ) ଛାଟକେ ପ୍ରକୃତି ପିଣ୍ଡ ମଧ୍ୟରେ ଥାଏ । ସେ କ୍ଷୋଭମନ ହୋଇ ଜୀବକୁ ଛାଡ଼ିକରି ଗଲା।

(ଜ) ଦୂତ ଅର୍ଥ ଏଠାରେ ପରମ । ଜୀବ ଗଲେ ପରମ କ୍ଷଣେ ମାତ୍ର ରହେ ନାହିଁ । ଯାତ୍ରା ହେଉଛି ଏ ସଂସାର ଅର୍ଥାତ୍‌ ଖେଳଘର । ଜୀବ ଗଲେ ପିଣ୍ଡ ଭୂମିଗତ ହୋଇଥାଏ । ଏଠାରେ ଅକ୍ରୂର ହେଉଛନ୍ତି ସ୍ୱୟଂ ଭଗବାନ ।

 

(ଝ) ଜୀବକୁ ନ ଦେଖିଲେ ପ୍ରକୃତ ଝୁରିଥାଏ । ଝଗଡ଼ା ସଂସାର ଗୋଟି ଛାଡ଼ିକରି ଯାଆନ୍ତି ।

(ଞ) ଏଠାରେ ନିଶା କାଳ ହେଉଛି ଚକ୍ଷୁ । ଚାନ୍ଦ ହେଉଛି ପରମାନଗର ଘର । ନନ୍ଦ ହେଉଛନ୍ତି ପରମାର୍ଥ ବାମ ଚକ୍ଷୁ । ନୟନ ବୁଜିଲେ ଅନ୍ଧାର ଦିଶେ ।

 

(ଟ) ଟଳ ଟଳର ଅର୍ଥ ନାଶକୁ ବୁଝାଏ । ତ୍ରିକୂଟ ମଧ୍ୟରେ ଟଙ୍କଧରର ଆସ୍ଥାନ । ତା’ ଉପରେ ହରିବୋଲ ଯେ ବାଜୁଛି । ପରମକୁ ନେଇ ଜୀବ ଶୂନ୍ୟରେ ରହିଥାଏ । ଟଳବନ୍ଧ ନୟନ ଶୂନ୍ୟରେ ଆତଯାତ ହେଉଛି । ପିଣ୍ଡ ଥକିଯାଇ ଟଳି ପଡ଼ିବ ।

 

(ଠ) ଠଣ ସୁନ୍ଦରର ଅର୍ଥ ଜୀବ ଓ ପରମ । ଠଣ ଦେହ ଗୋଟି କ୍ଷଣିକରେ ଚାଲିଯିବ । ଆଉ ଫେରିବନି ।

(ଡ) ଚାରି ଡାଳ ଏପିଣ୍ଡକୁ ଆବୋରି ରହିଛି । ଏହାରି ମଧ୍ୟରେ ଜୀବ ଭ୍ରମଣ କରୁଛି । ପଞ୍ଜୁରୀ ମଧ୍ୟରେ ଯେମିତି ଶୁଆ ଥାଏ, ପିଣ୍ଡରେ ପରମଜୀବ ସେପରି ଥାଏ ।

 

(ଢ) ଢଳଢଳର ଅର୍ଥ ଭ୍ରୂଲତା । ମୋତିବର ହେଉଛି ଦୁଇ ଚକ୍ଷୁ । ଚକ୍ଷୁର ଲୋତକ ଧାର ହେଉଛି କଜ୍ଜ୍ୱଳ-ଏହା ଶାସ୍ତ୍ର ସମ୍ମତ । କ୍ଷଣିକ ମଧ୍ୟରେ ଜୀବ ଢଳି ପଡ଼ିବ ।

 

(ଣ ବା ଅ) ଅଣ ଆୟତ୍ତରେ ଜୀବ ହେଉଛି ବନ୍ଧନ । କଂସପୁର ଶୂନ୍ୟ । ଅଣ ହେଳା କଲେ ଜୀବ କ୍ଷଣକରେ ଯିବ । ଅଣହେତୁ ଯୋଗେ ପିଣ୍ଡ ନାଶ ଯାଇଥାଏ ।

 

(ତ) ତ୍ରିକୂଟ ସ୍ଥାନରେ ହଂସ ଖେଳୁଥାଏ । ତ୍ରିବେଣୀ ଶିଖରୁ ଜଳଧାର ବହି ଆସେ । ତଳୁ ଖସି ବନ୍ଧ ମୂଳେ ସେ ରହେ । ତନୁ ତା’ର କୋମଳ, କ୍ଷଣିକରେ ଚାଲିଯାଏ । ବଳରାମ ପରମ । ସେ ଜୀବକୁ ଖେଳାନ୍ତି ।

 

(ଥ) ସ୍ଥବିର ଅର୍ଥାତ ବୁଢ଼ାକାଳ ଯେତେବେଳେ ଘୋଟିଗଲା, ସ୍ଥାନ ଭଗ୍ନ କରି ଶୂନ୍ୟରେ ରହିଲା । ଥକାଘର ଛାଡ଼ିଅନ୍ୟ ସ୍ଥାନକୁ ଯିବ । ସ୍ଥବିର ହୋଇ ଜୀବ କେଉଁଠି ରହି ପାରିବ ନାହିଁ ।

 

(ଦ) ଦଉଡ଼ିର ଅର୍ଥ ମାୟା ସଂସାର । ମଥୁରା ଶୂନ୍ୟସ୍ଥାନ, ସେଠାରେ ରହିଲେ, ଜୀବ ଓ ପରମ ଏକାଠି ହେଲେ । ଦାମୋଦର କୃଷ୍ଣ, ଭଗବାନ ପିଣ୍ଡ ମଧ୍ୟରେ ଥାଆନ୍ତି ।

 

(ଧ) ଜୀବ ଧର୍ମରେ ଚାଲେ, ଅଧର୍ମରେ ନାଶ ଯାଏ । ଧର୍ମପଦ ନେଇ ଜୀବ ପିଣ୍ଡରେ ରହେ।

(ନ) ନିରାଶ ହୋଇ ଜୀବ ଛାଡ଼ିକରି ଗଲା । ନିଜ ଘର ତେଣୁ ଅଶୋଭା ଦିଶିଲା । ନିରାକାର ପୁରୁଷ ଏହାର ଖେଳ ଘର । ପ୍ରଥମରୁ ହିଁ ମାନବ ଶରୀରକୁ ସର୍ଜିଛି ।

 

(ପ) ପବିତ୍ର ପୁରୁଷ ହେଉଛି ମହାମନ୍ତ୍ର । କର୍ଣ୍ଣ ହେଉଛି ପୁଣ୍ୟଦ୍ୱାର । ମହାମନ୍ତ୍ର କାନରେ ପଡ଼ିବାରୁ ଅପବିତ୍ର ପିଣ୍ଡ ପବିତ୍ର ହେଲା । ଭଗବାନ ହେଉଛନ୍ତି ପରମାନନ୍ଦ ପୁରୁଷ ।

 

(ଫ) ବୃକ୍ଷର ଫଳ ହେଉଛି ହରିରସ । ଜୀବ ଗଲେ ଫଳମାନ ବ୍ୟର୍ଥ ହୋଇଥାଏ । ବସୁଦେବ କହିଲେ ମୁଖକୁ ବୁଝାଏ । ପରମ ଜୀବର ତାହା ଯିବା ବାଟ ।

 

(ବ) ବ୍ରହ୍ମା, ବିଷ୍ଣୁ ଏପିଣ୍ଡକୁ ଗଢ଼ିଛନ୍ତି । ବଳଗଣ୍ଡି ବୋଲି ଏହାର ନାମ ରଖିଲେ । ଏ ବୃକ୍ଷରେ ତ୍ରିବେଣୀ ବହୁଛି । ଭକ୍ତମାନେ ସେ ରସକୁ ପିଉଛନ୍ତି । ବ୍ରହ୍ମା, ବିଷ୍ଣୁ ତ୍ରିକୂଟ ମଧ୍ୟରେ ମିଶିଛନ୍ତି । ବୃକ୍ଷର ଫଳ ସରିଲେ କେହି ରହିବେନି ।

 

(ଭ) ବଳରାମ ପରମ । ଭଣ୍ଡିକରି ଜୀବ ଚାଲିଗଲା, ଆଉ ବାହୁଡ଼ି ଆସିଲା ନାହିଁ । ଡାହାଣ ଚକ୍ଷୁରେ ଜୀବ ଓ ପରମ ବାମରେ ଥାଏ, ଜୀବର ସ୍ଥାନ ପରମ ଓ ଭ୍ରମର ଗୁମ୍ଫାରେ ରହେ ।

 

(ମ) ମଧୁପୁର ବାଟରେ ଜୀବ ଯେ ହେତୁ ଛାଡ଼ିଗଲା, ପରମ ଜୀବର ଆଉ ଦେଖା ମିଳିଲା ନାହିଁ । ମୁଖବାଟେ ଜୀବ ବାହାର ହୁଏ । ତେଣୁ ମୁଖକୁ ମଧୁପୁର କୁହାଯାଏ । ମୁକୁନ୍ଦର ନାମ ବ୍ରହ୍ମଜ୍ଞାନ ଅଟେ ।

 

(ଯ) ନାସାକୁ ଯାଉଁଳି କବାଟ କୁହାଯାଏ । ଜୀବର ଆହାର ପବନ । ଜଗତ ଜୀବନ କୃଷ୍ଣ ଛାଡ଼ି କରି ଗଲା । ଯାଉଁଳି କବାଟ ବୃଥା ହେଲା । ଏହା ଜାଣି କରି ଯୋଗୀମାନେ ସେହି ଦ୍ୱାରରେ ଭଜନ କରନ୍ତି ।

 

(ର) ପିଣ୍ଡ ଯେ ନାମ ରତ୍ନ । ରାମ ନାମ ପରମ ଯେ କୃଷ୍ଣ ନାମ ରାମ । ପିଣ୍ଡକୁ ଏ ଦୁଇଟି ନାମ ଶୋଭା ଦେଖାଯାଏ ।

(ବ) ବୃନ୍ଦାବନର ଅର୍ଥ ଦେହ । ବତ୍ସାର ଅର୍ଥ ପ୍ରକୃତି । ପିଣ୍ଡରୁ ପରମ ଜୀବ ଅନ୍ତର ହୋଇଲା । ତେଣୁ ବୃନ୍ଦାବନ ଅଶୋଭା ଦିଶିଲା ।

 

(ଶ) ଶ୍ରୀମନ୍ତ ପୁରଷ ଗଲେ ପିଣ୍ଡ ଲୀନ ହୁଏ । ନୀଳମାଧବ ରୂପ କଣ୍ଠ ମଧ୍ୟରେ ବ୍ରହ୍ମା, ଶିବଦେବ ପ୍ରାଣ ସେହି ଛାଡ଼ିଗଲା । ମୃତ୍ୟୁ ପିଣ୍ଡ କରି ଜୀବ ଛାଡ଼ି କରି ଗଲା ।

 

(ସ) ସପ୍ତଦଣ୍ଡରେ ପିଣ୍ଡରୁ ପ୍ରାଣ ଛାଡ଼ି ଯାଇଥାଏ । ତେଣୁ କରି ଶାସ୍ତ୍ରରେ ସାତ ଦିନ କଥା ଉଲ୍ଲେଖ ଅଛି । ସାତବାର ମଧ୍ୟରେ ଏ ଆତଯାତ ହୋଇଥାଏ । ସାତ ବରଷରେ ବ୍ରହ୍ମଜ୍ଞାନ ପ୍ରାପ୍ତ ହୁଏ । ଜଳରୁ ପିଣ୍ଡର ଜନ୍ମ, ଜଳରୁ ବିନାଶ ।

 

(ଷ) ଶଶୀ ଆକାଶରେ ଥାଏ । କଳଙ୍କ ମିଶିଲେ ସେ ନାଶ ପାଇ ନଥାଏ । ସେମିତି ପିଣ୍ଡରେ ଜୀବ ଥାଇ ନାଶ ଯାଏ । ପ୍ରକୃତି ପୁରୁଷ ମାନେ ପାଶରେ ବେଢ଼ି ରହିଛନ୍ତି । ଚନ୍ଦ୍ରପ୍ରାୟ ହେଲେ ପିଣ୍ଡ ବାହାର ହୋଇଥାଏ ।

 

(ହ) ହରିନାମ ଭଜନ କଲେ ବ୍ରହ୍ମଜ୍ଞାନ ମିଳେ । ବ୍ରହ୍ମାଣ୍ଡକୁ ହରିନାମ କୁହାଯାଇଥାଏ ।

(କ୍ଷ) ଜନ୍ତୁଙ୍କର ମାୟାକୁ କ୍ଷନ୍ଦଣି ବୋଲାଯାଏ । କରୁଣାନିଧି କ୍ଷମା କରନ୍ତୁ । ପିଣ୍ଡ ଓ ବ୍ରହ୍ମାଣ୍ଡକୁ ଏକ କରି ବୁଝାଇଲେ । ଅର୍ଜୁନ ପଚାରିଲେ ଓ ଶ୍ରୀହରି ଅର୍ଥ କଲେ । କେଶବ କୋଇଲିର ଅର୍ଥ ବ୍ରହ୍ମଜ୍ଞାନ ମଧ୍ୟରେ ଶ୍ରେଷ୍ଠ । ଲବଣ ସାଗରରୁ ଏହାର ସୃଷ୍ଟି ହୋଇଛି ।