କହୁଛିରେ ମୂର୍ଖ ବାଇ

କହୁଛିରେ ମୂର୍ଖ ବାଇ

ଭକ୍ତ ପ୍ରେମାନନ୍ଦ

 

(ଆନୁମାନିକ ଅଷ୍ଟାଦଶ ଶତାବ୍ଦୀର କବି ଭକ୍ତ ପ୍ରେମାନନ୍ଦ । ସେ କିଛି ଚଉପଦୀ ଓ ଚଉତିଶା ରଚନା କରିଥିବା ଜଣାଯାଏ । କେତେକ କବିତାରେ ପ୍ରେମାନନ୍ଦ ଦାସ ଭଣିତା ଦେଖିବାକୁ ମିଳେ । ‘ପ୍ରାଚୀନ ଓଡ଼ିଶା ଲିପି ଓ ଭାଷା ସାହିତ୍ୟ’ ଗ୍ରନ୍ଥରେ ଏ ବିଷୟ ଉଲ୍ଲେଖ ରହିଛି । ଏହି ତଥ୍ୟ ବ୍ୟତୀତ କବିଙ୍କ ସମ୍ପର୍କରେ ଅନ୍ୟ କିଛି ସୂଚନା ମିଳିନାହିଁ । ସନ୍ଥକବିଙ୍କ ସମୟ ବା ତା’ ପରବର୍ତ୍ତୀ କାଳରେ କିଛି ଭକ୍ତ ଅଲେଖଙ୍କ । ସମ୍ପର୍କରେ ଭଜନ ଜଣାଣ ଚଉତିଶା ରଚନା କରିଯାଇଛନ୍ତି । ହୁଏତ ସେମାନଙ୍କ ମଧ୍ୟରେ ଭକ୍ତ ପ୍ରେମାନନ୍ଦ ଥାଇପାରନ୍ତି । ସଂସାର ଖେଳଘର, ମିଛ ମାୟାର ସଂସାର । କେହି କାହାର ନୁହଁନ୍ତି ଏଠାରେ । ଜଗତକରତା ହିଁ ସବୁ କିଛି । ତାଙ୍କୁ ଧ୍ୟାନ କଲେ ମନୁଷ୍ୟ ଏ । ସଂସାରରୁ ତରିଯିବ- ଏଇ ଭାବାର୍ଥ ଚଉତିଶାଟିରେ ନିହିତ ।)

 

କହୁଛିରେ ମୂର୍ଖ ବାଇ ମୁଖେ ନାମ ରଟ ।

କଳି କଳୁଷ ପାତକରେ, ବଉଳ ।

ନିଶ୍ଚେ ହୋଇବଟି କାଟରେ ବଉଳ ।୧।

ଖେଳଘର ଅଟଇ ଯେ ଏ ମାୟା ସଂସାର ।

ଖେଳ ଆସି ସରିଗଲେରେ, ବଉଳ ।

କେହି ନୋହିବେ କାହାର ରେ ବଉଳ ।୨।

ଗହନ ବନରେ ଭ୍ରମି ବିଅର୍ଥ ହୋଇଲୁ ।

ଗୁରୁ ପଦାମ୍ବୁଜ ଛାଡ଼ିରେ, ବଉଳ ।

କୁହୁଡ଼ିରେ ପହଁରିଲୁ ରେ ବଉଳ ।୩।

ଘରଦ୍ୱାର ବନ୍ଧୁ ଭାର୍ଯ୍ୟା ବୋଲୁ ମୋର ନିତି ।

ଘଟୁ ପ୍ରାଣ ଛାଡ଼ିଲେରେ, ବଉଳ ।

କେହି ନ ଯିବେ ତୋ ସାଥିରେ ।୪।

ଅନ୍ଧ ରୂପ ବୋଲି ସ୍ତିରୀ ରୂପଟି ଅଟଇ ।

ଅହର୍ନିଶି ମାତ ହେଲେ ରେ, ବଉଳ ।

ଅଳପକେ କ୍ଷୟ ଯାଇ ରେ ।୫।

 

ଭାବାର୍ଥ- (୧-୫) କବି ଜଗତବାସୀଙ୍କୁ ପ୍ରଭୁଙ୍କ ନାମ ଭଜିବାକୁ ନିବେଦନ ଜଣାଇଛନ୍ତି । ରେ ମୂର୍ଖ, ପ୍ରଭୁଙ୍କ ନାମ ସର୍ବଦା ଘୋଷ । ନିଶ୍ଚୟ କଳି, କଳୁଷ, ପାପ ଦୂର ହେବ । ମିଛ ମାୟାର ସଂସାର ଏ । ଖେଳଘର, ଖେଳ ସରିଗଲେ ଏଇଠି କେହି କାହାର ନୁହଁନ୍ତି । ବଉଳ, ସାଂସାରିକ ମୋହମାୟାରେ ପଡ଼ି ଗୁରୁଙ୍କ ପାଦପଦ୍ମକୁ ଭୁଲିଯାଇଛୁ । ଗହନ ବନରେ ଭ୍ରମି ବାଟବଣା ହେଉଛୁ । କୁହୁଡ଼ିରେ ପହଁରିଲୁ ।

 

ବଉଳ, ଏ ସଂସାର ଅଳିକ, ମିଛମାୟାରେ ପୂର୍ଣ୍ଣ । ପ୍ରତିଦିନ ଘରଦ୍ୱାର, ବନ୍ଧୁଭାର୍ଯ୍ୟା ବୋଲି ପାଗଳପ୍ରାୟ ହେଉଛୁ । ଘଟରୁ ପ୍ରାଣ ଛାଡ଼ିଗଲେ କେହି କାହାର ହେବେ ନାହିଁ । ତୋ ସଙ୍ଗରେ କେହି ଯିବେ ନାହିଁ । ସ୍ତ୍ରୀ ରୂପରେ ତୁ ଅନ୍ଧ ହୋଇଯାଇଛୁ । ଅଳପକରେ ତୁ ମାୟା ଯିବୁ । ଏହା ଜାଣିପାରୁନାହୁଁ ।

 

ଚନ୍ଦ୍ରପ୍ରୀତି ଯେଉଁଦିନ ପଦ୍ମ ଫୁଟିଥିବ ।

ଚଳାଇବ ତେବେ ମନରେ, ବଉଳ ।

ଗୃହ ଆଚାର ରହିବ ରେ ।୬।

ଛନ୍ଦି ହୋଇ ମଲା ପଦ୍ମ ପୁଷ୍ପରେ ।

ଭ୍ରମର ଛନ୍ଦି ବନ୍ଦି ହୋଇ ମଲାରେ, ବଉଳ ।

ମୂର୍ଖ ପ୍ରେମାନନ୍ଦ ଛାର ରେ ।୭।

ଜହର ଅମୃତ ଏକାପାଶେ ଅଛି ରହି ।

ଜାଣି ଅମୃତକୁ ଛାଡ଼ିରେ, ବଉଳ ।

ବିଷ ରଖିଅଛୁ ତୁହି ରେ ।୮।

 

ଝଟକ ବିଜୁଳି ପ୍ରାୟ ପ୍ରାଣ ଛାଡ଼ିଗଲେ ।

ଝାଡ଼କାରେ ସବୁ ନେଇ ରେ, ବଉଳ ।

ନଦୀ ତୀରେ ଦେବେ ତଳେ ରେ ।୯।

ନାହିଁକି ତୋ ଚିତ୍ତେ ଶଙ୍କା ଏହି କଥାମାନ ।

ନମି ଗୁରୁ ପାଦପଦ୍ମ ରେ, ବଉଳ ।

ଏବେ ପଶ ଯା ଶରଣ ରେ ।୧୦।

ଟଳିଗଲେ ପିଣ୍ଡ ହାଡ଼ ମାଂସ ଜଳିଯିବ ।

ଟେକି ହୋଇଥିଲା ମଥା ରେ, ବଉଳ ।

ସେହି ଦିନରୁ ସରିବ ରେ ।୧୧।

ଠକି ଗଲୁ ବୋଲି ମାତା କାନ୍ଦୁଥିବ ନିତି ।

ଠିକେ କହେ ପ୍ରେମାନନ୍ଦ ରେ, ବଉଳ ।

ଛାତି ହେଉଛି କରତି ରେ ।୧୨।

 

ଭାବାର୍ଥ- (୬-୧୨) ବଉଳ, ଯେଉଁଦିନ ପୋଖରୀରେ ପଦ୍ମ ଫୁଟିଥିବ, ସେତେବେଳେ ଚନ୍ଦ୍ରଙ୍କ ପ୍ରୀତି ଜଣାପଡ଼ିବ । ସମସ୍ତେ ଆସକ୍ତିରେ ବନ୍ଧା । ଭ୍ରମର ପଦ୍ମପୃଷ୍ପରେ ଛନ୍ଦି ହୋଇ ମଲାପରି ପ୍ରତ୍ୟହ ମଣିଷ ସଂସାରର ମୋହ ଆସକ୍ତିରେ ପଡ଼ି ମରୁଛି । ରେ ବଉଳ, ବିଷ ଅମୃତ ପାଖାପାଖୁ ଲାଗି ରହିଛି । ଅମୃତକୁ ଜାଣିଜାଣି ଛାଡ଼ି ବିଷକୁ ତୁ ପାଖରେ ରଖିଛୁ । ପାଣି ଫୋଟକା ତୋ ଜୀବନ । ଝଟକରେ ବିଜୁଳିପ୍ରାୟ ତାହା କେତେବେଳେ ଚାଲିଯିବ । ତୋର ସବୁ ସରିଯିବ । ତୋତେ ଘଡ଼ିକ ମଧ୍ୟରେ ନେଇ ଲୋକମାନେ ନଦୀ ତୀରବର୍ତ୍ତୀ ମଶାଣିରେ ଜାଳିଦେବେ । ତୋ ମନରେ କ’ଣ ଏହି ଶଙ୍କା ଆସୁନାହିଁ ? ଲୋ ବଉଳ, ଗୁରୁଙ୍କ ପାଦପଦ୍ମ ତଳେ ପ୍ରଣିପାତ କରି ତାଙ୍କ ପାଖରେ ଶରଣ ପଶ । ତୋର ଟେକି ହୋଇଥିବା ମଥା ଦିନେ ଟଳିଯିବ । ପିଣ୍ଡ, ହାଡ଼, ମାଂସ ସବୁ ଜଳିଯିବ । ତା’ ପରଠୁଁ ସଂସାରରେ ତୋର ଲୀଳାଖେଳ ସରିଯିବ । ତୁ ଚାଲିଗଲା ପରେ ମାତା ତୋର ନିତି କାନ୍ଦୁଥିବ । କବି ପ୍ରେମାନନ୍ଦ କହୁଛନ୍ତି, ଲୋ ବଉଳ, ଏ ମୋହମାୟା ସଂସାରର କଥା ଶୁଣି ମୋ ଛାତି କରତି ଯାଉଛି ।

 

 

ଡାଳକୁ ଧରିଛୁ ମନ ମୂଳକୁ ଛାଡ଼ିଣ ।

ଢାଳ ବୋଲି ଯାହା କହିଲେ, ବଉଳ ।

ମାୟାମଦଟି ପ୍ରମାଣ ରେ ।୧୩।

ଢାଲ କରିଥିବୁ ମୂଳ ଅଟେ ପ୍ରଭୁ ନାମ ।

ଢଳିଗଲେ ପିଣ୍ଡୁ ପ୍ରାଣରେ, ବଉଳ ।

ଶ୍ରୀଅଙ୍ଗରେ ହେବୁ ଲୀନ ରେ ।୧୪।

ଅହିମୁଖେ ନ ପଡ଼ିବୁ ରଖିଥିଲେ ସତ୍ୟ ।

ଅହି ବୋଲି ଯାହା କହିରେ, ବଉଳ ।

ଯମଦ୍ୱାରଟି ବିଦିତ ରେ ।୧୫।

 

ତୁ ବିଚାରୁ ଘରଦ୍ୱାର ବନ୍ଧୁଭାର୍ଯ୍ୟା ମୋର ।

ତୋହ ଥାଉଁ ଭାର୍ଯ୍ୟା ପୁଣିରେ, ବଉଳ ।

ଲୁଚି ପ୍ରୀତି କରେ ପର ରେ ।୧୬।

ଥିଲୁ ଯେତେବେଳେ ବାବୁ ମାତା ଗର୍ଭେ ତୁହି ।

ଥୟ ନ ରହିଲା ଏବେ ରେ, ବଉଳ ।

ଗର୍ଭୁ ଖସିଣ ଏ ମହୀ ରେ ।୧୭।

ଦେଖୁ ଦେଖୁ ଅବଶ୍ୟରେ ଏହି ଜୀବ ଯିବ ।

ଦାନ ଧ୍ୟାନ ସାଧୁ ସଙ୍ଗରେ, ବଉଳ ।

ଏହି ମାତ୍ରକ ରହିବରେ ବଉଳ ।୧୮।

 

ଧନ ଜନ ସମ୍ପଦ ଏ ନ ରହିବ କିଛି ।

ଧିକାରି ଧିକାରି ତାହାରେ, ବଉଳ ।

ବାଇଆ ପ୍ରେମା କହୁଛି ରେ ।୧୯।

ନାରୀ ଯୋଗୁଁ ସେତ ମଲା ଲଙ୍କାର ରାବଣ ।

ନୀଚ ପଦ ଛାଡ଼ିଦେଇ ରେ, ବଉଳ ।

ଉଚ୍ଚରେ କର ଗମନ ରେ ।୨୦।

ପ୍ରକାଶ କରିଣ ଉଚ୍ଚ ନୀଚ ସ୍ୱର୍ଗ କାଳ ।

ପଞ୍ଚ ମନ ସ୍ଥିର କରିରେ, ବଉଳ ।

ପ୍ରଭୁ ନାମ ଆଶ୍ରେ କର ରେ ।୨୧।

 

ଭାବାର୍ଥ- (୧୩-୨୧) ଲୋ ବଉଳ, ତୋର ବାୟା ମନ । ମୂଳକୁ ଛାଡ଼ି ଡାଳକୁ ଧରିଛୁ । ମାୟା ମୋହରେ ପଡ଼ିଛୁ । ପ୍ରଭୁଙ୍କ ନାମ ହେଉଛି ମୂଳ । ତାକୁ ସର୍ବଦା ଢାଲ ବା ଆଶ୍ରା କରିଥିବୁ । ତୋର ପିଣ୍ଡରୁ ପ୍ରାଣ ଚାଲିଗଲେ ତୁ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଲୀନ ହୋଇଯିବୁ । ରେ ବଉଳ, ସତ୍ୟ ଧର୍ମ ପଥରେ ତୁ ଚାଲିଥିଲେ ଅହିମୁଖରୁ ତୁ ରକ୍ଷା ପାଇଯିବୁ । ଅହିର ଅର୍ଥ ଯମଦ୍ଵାର । ଘରଦ୍ୱାର, ଭାଇବନ୍ଧୁ, ଭାର୍ଯ୍ୟାକୁ ନେଇ ମୋର ବୋଲି ସବୁବେଳେ ଗର୍ବ କରୁଛୁ । ସେ ସବୁ ମିଛ । ତୋର ଘରଦ୍ୱାର, ଭାଇବନ୍ଧୁ କେହି ନୁହଁ । ଭାର୍ଯ୍ୟା ବୋଲି ଯାହାକୁ ପାଇଛୁ, ତାକୁ ନେଇ ଗର୍ବ କରୁଛୁ ତାହା ବି ଏକ ମୋହ, ତୁ ନ ଥିବା ସମୟରେ ପରପୁରୁଷ ସଙ୍ଗରେ ଲୁଚି ଲୁଚି ପ୍ରୀତି କରୁଛି । ରେ ବଉଳ, ଯେତେବେଳେ ତୁ ଗର୍ଭରେ ଥିଲୁ, ମାତା ତୋର ଅଥୟ ହୋଇଗଲା । ଗର୍ଭରୁ ଖସି ତୁ ଏ ଭୂମିରେ ପଡ଼ିଲୁ ।

 

ରେ ବଉଳ, ଦେଖୁ ଦେଖୁ ବା ଆଖିର ପଲକରେ ନିଶ୍ଚୟ ତୋ ଜୀବ ଯିବ । ତା’ ପୂର୍ବରୁ ଭେଳା ବାନ୍ଧ । ଦାନ, ଧ୍ୟାନ, ସାଧୁ ସଙ୍ଗରେ ମନ ଦିଅ । ଏହିତକ ହିଁ ସଙ୍ଗରେ ରହିବ । ଧନ, ଜନ, ସମ୍ପଦ- ଏ ସବୁ ଅନିଶ୍ଚିତ । କିଛି ରହିବ ନାହିଁ । ଧନ ଧନ ବୋଲି ବାଇଆ ହେଉଛୁ । ସେ ସବୁକୁ ଝୁରି ମରୁଛୁ । ରେ ବଉଳ, ନାରୀର ମୋହରେ ତୁ ପଡ଼ୁଛୁ । ପାପର ଘେରରେ ବାନ୍ଧି ହୋଇଯାଇଛୁ । ନାରୀ ଯୋଗୁଁ ଲଙ୍କାର ରାଜା ରାବଣ ମଲା । ରେ ବଉଳ, ତୁ ନୀଚ ବୁଦ୍ଧି ଛାଡ଼ି ଉଚ୍ଚମନା ହୁଅ । ପଞ୍ଚମନକୁ ସ୍ଥିର କରି ପ୍ରଭୁଙ୍କ ନାମକୁ ନିରନ୍ତର ଆଶ୍ରା କର । ତା’ ହେଲେ ଯାଇ ସ୍ୱର୍ଗସୁଖ ପ୍ରାପ୍ତ ହେବୁ।

 

ଫୁଟିଅଛି ଫୁଲ ଝଡ଼ିଯିବ କିଛି ଦିନେ ।

ଫଳ ମଧ୍ୟ ଝଡ଼ି ଯିବରେ, ବଉଳ ।

ନ ଭଜିଲେ ପ୍ରଭୁ ନାମରେ ।୨୨।

ବାରବ୍ରତ କୋଟି ତୀର୍ଥ ଗଙ୍ଗା ଗୟା ଆଦି ।

ବିଶ୍ୱଗୁରୁ ପାଦଗତିରେ, ବଉଳ ।

ସବୁ ରହିଅଛି ଭେଦିରେ ।୨୩।

ଭାର ବୋଝ ନୁହଇ ସେ ନ ହେବ ସେ ବୋହି ।

ଭଣି ପ୍ରେମାନନ୍ଦ କହିରେ, ବଉଳ ।

ଶୂନ୍ୟବାସୀ କର ତ୍ରାହି ।୨୪।

 

ମତ୍ତଗଜକୁ ଅଙ୍କୁଶ ଯେବେ ଲଗାଇବୁ ।

ମାନି ସୂତ୍ରରେ ଚଳିବୁରେ, ବଉଳ ।

ଗତି ମୁକତି ଲଭିବୁରେ ।୨୫।

ଜାଣୁ ନା କି ଯେତେ ଲୋକ ଗଲେ ଦେହ ବହି ।

ଯେତେ ଧନ ଦ୍ରବ୍ୟ ଥିଲାରେ, ବଉଳ ।

ସଙ୍ଗେ ନ ନେଲେ ତ କେହିରେ ।୨୬।

ରାବଣ ଯାହାକୁ କହି ରାଗ ଅଟେ ସେତ ।

ରାଗତମ ହିଂସା କଲେରେ, ବଉଳ ।

କୁମ୍ଭୀ ନର୍କ ପରାପତରେ ।୨୭।

 

ଲାଭ ଗତି ହୁଅ ଭକ୍ତି ଆଉ ଟେକି ନୁହ ।

ଲହରୀ ଘାତରେ ଯିବୁରେ, ବଉଳ ।

ଅକାରଣ ହେବ ଦେହରେ ।୨୮।

ବିଧାତା କରତା ଭାଇବନ୍ଧୁ ପିତାମାତା ।

ବନ୍ଧୁ ସୋଦର ଇତ୍ୟାଦିରେ, ବଉଳ ।

ପ୍ରଭୁ ଅଟନ୍ତି ସର୍ବଥା ରେ ।୨୯।

 

ଭାବାର୍ଥ- (୨୨- ୨୯) ରେ ବଉଳ, ସଂସାରରେ ପ୍ରଭୁ ନାମ ହିଁ ସାର । ବୃକ୍ଷର ମୂଳ । ଗଛ ମୂଳରେ ପାଣି ନ ଦେଲେ ସେଥିରେ ଥିବା ଫୁଲ, ଫଳ ଯେମିତି ଝଡ଼ି ପଡ଼େ, ସେମିତି ପ୍ରଭୁଙ୍କ ନାମ ନ ଭଜିଲେ ମନୁଷ୍ୟ ବୃକ୍ଷର ଫୁଲ, ଫଳ ସବୁ ଝଡ଼ିଯିବ ଅର୍ଥାତ୍ ମନୁଷ୍ୟ ଜୀବନ ନାଶଯିବ । ରେ ବଉଳ, ଗୁରୁ ହେଉଛନ୍ତି ବିଶ୍ଵ ବନ୍ଦନୀୟ । ତାଙ୍କ ପାଦଗତିରେ ବାରବ୍ରତ, କୋଟିତୀର୍ଥ, ଗଙ୍ଗା ଗୟା ଆଦି ରହିଛନ୍ତି । ସେ ଭାର ବୋଝ ନୁହଁନ୍ତି ଯେ, ତାଙ୍କୁ ବୋହି ହେବ ନାହିଁ । କବି ପ୍ରେମାନନ୍ଦ ପ୍ରାର୍ଥନା କରୁଛନ୍ତି- ହେ ଶୂନ୍ୟବାସୀ, ମୋତେ ଏ ପାପ ସଂସାରରୁ ଉଦ୍ଧାର କର । ରେ ବଉଳ, ପ୍ରଭୁ ହେଉଛନ୍ତି ମତ୍ତଗଜ ସ୍ୱରୂପ । ତାଙ୍କୁ ପାଇବାକୁ ହେଲେ ଭକ୍ତିର ଅଙ୍କୁଶ ଦରକାର । ଧ୍ୟାନ, ତପସ୍ୟା, ନିଷ୍ଠା ବଳରେ ଯଦି ପ୍ରଭୁଙ୍କୁ ଆୟତ୍ତ କରିପାରିବୁ, ତେବେ ଗତି ମୁକ୍ତି ଲାଭ କରିପାରିବୁ ।

 

ରେ ବଉଳ, ତୁ କ’ଣ ଜାଣିନାହୁଁ କି, ଏ ଦେହ କ୍ଷଣିକ । ଏକା ଆସିଛି, ଏକା ଯିବ । ସଙ୍ଗରେ କିଛି ଆଣି ନ ଥିଲା କି ସଙ୍ଗରେ କିଛି ନେବ ନାହିଁ । ସଂସାରକୁ ଯେତେ ଲୋକ ଆସିଛନ୍ତି, କେତେ ଧନ ଅର୍ଜିଛନ୍ତି, ସଙ୍ଗରେ କ’ଣ ନେଇଛନ୍ତି ? କ୍ରୋଧ ବା ରାଗ ହେଉଛି ରାବଣର ଅନ୍ୟନାମ । ରାଗ, ହିଂସା, ଅହଙ୍କାର ତୋର ସର୍ବନାଶ କରିବ । ତୁ କୁମ୍ଭୀପାକ ନର୍କରେ ପଡ଼ିବୁ । ଧ୍ୟାନ, ଭକ୍ତି ହେଉଛି ଶ୍ରେଷ୍ଠ ମାର୍ଗ । ନମ୍ରତା ଉତ୍ତମ ଗୁଣ । ମଥାପାତ କରି ପ୍ରଭୁଙ୍କ ଠାରେ ଶରଣ ପଶ । ମଥାଟେକି ବା ଗର୍ବରେ ଠାକୁରଙ୍କୁ କେହି ପାଇପାରିବ ନାହିଁ । ସମୁଦ୍ରର ଲହରୀ ଆଗରେ ମୁଣ୍ଡ ଟେକି ରହିଲେ ଭାସିଗଲା ପରି ତୁ ସଂସାରର ଲହରୀ ଘାତରେ ଭାଙ୍ଗିଯିବୁ । ତୋର ଶରୀର ଅକାରଣ ହେବ, ତେଣୁ ତୁ ଶ୍ରୀଗୁରୁଙ୍କ ପାଦତଳେ ପଡ଼ । ରେ ବଉଳ, ଏ ଜଗତ ମିଥ୍ୟା । ପିତାମାତା, ଭାଇବନ୍ଧୁ ସବୁ ମିଥ୍ୟା । ପ୍ରଭୁ ହିଁ ସତ୍ୟ, ସର୍ବଥା ଓ ଧ୍ରୁବ । ସେ ହିଁ ଜଗତ କରତା, ଭାଇବନ୍ଧୁ, ଆତ୍ମୀୟ ସୋଦର । ତେଣୁ ରେ ବଉଳ, ଏ ମିଛ ମାୟାରୁ ଉଦ୍ଧାର ପାଇବାକୁ ହେଲେ ସର୍ବମୟକର୍ତ୍ତା ପ୍ରଭୁଙ୍କୁ ଆଶ୍ରା କର ।

 

 

ଶ୍ରୀ ପଦ ପଙ୍କଜେ ଆଶ୍ରେ କର ନିତି ।

ଶୀଘ୍ରେ ପାପ ହତ ହେବ ରେ, ବଉଳ ।

ଲୟ କଲେ ଶୂନ୍ୟ ମୂର୍ତ୍ତିରେ ।୩୦।

ସାଧୁ ସୁଜ୍ଞଜନ ସଙ୍ଗେ ବସି କର ଗାନ ।

ଶରଣ ପଞ୍ଜର ବାନାରେ, ବଉଳ ।

ହେଉଛନ୍ତି ଉତପନରେ ।୩୧।

 

ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏହାର ହୃଦୁ ଜାତ ।

ଶରଣ ପଶିଲେ ତହିଁରେ, ବଉଳ ।

ସ୍ୱର୍ଗ ସ୍ଥାନ ପରାପତ ରେ ।୩୨।

ହେତୁ କରି ଦୃଢ଼ ବନ୍ଧେ ଯେହୁ ଧରିଥିବ ।

ହଜାର ଯମ ଯେ ହେଲେ ରେ, ବଉଳ ।

ତାକୁ ନେଇ ନ ପାରିବ ରେ ।୩୩।

କ୍ଷୟ ସେ ନୁହଇ ପ୍ରଭୁ ଅକ୍ଷୟ ପୁରୁଷ ।

କହେ ପ୍ରେମାନନ୍ଦ ହୀନରେ, ବଉଳ ।

ପ୍ରଭୁ ପାଦେ କରି ଆଶରେ ।୩୪।

 

ଭାବାର୍ଥ- (୩୦-୩୪) କବି ଜଗତବାସୀଙ୍କୁ ନିବେଦନ ଜଣାଇଛନ୍ତି- ରେ ମନ, ଏ ପାପପୂର୍ଣ୍ଣ ସଂସାରରୁ ଯଦି ମୁକ୍ତି ପାଇବାକୁ ଚାହୁଁଛୁ, ତେବେ ପ୍ରଭୁଙ୍କ ଶ୍ରୀପଦ ପଙ୍କଜରେ ନିରନ୍ତର ଆଶ୍ରା କର । ଶୂନ୍ୟ ମୂର୍ତ୍ତିରେ ସଦା ଲୟ କଲେ ଶୀଘ୍ର ପାପ ଦୂର ହେବ । ରେ ବଉଳ, ସାଧୁ ସୁଜ୍ଞଜନ ସଙ୍ଗରେ ବସି ପ୍ରଭୁଙ୍କ ମହିମା ଗାନ କର । ଶରଣପଞ୍ଜର ବାନା ସେ, ଉତ୍ପନ୍ନ ହୋଇ ତୋତେ ରକ୍ଷା କରିବେ । ପ୍ରଭୁ ସୃଷ୍ଟିକର୍ତ୍ତା । ତାଙ୍କ ହୃଦକନ୍ଦରରୁ ଏ ତିନିଭୁବନ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଜାତ ହୋଇଛି । ତୁ ତାଙ୍କର ଶରଣ ପଶିଲେ ସ୍ୱର୍ଗସ୍ଥାନ ପ୍ରାପ୍ତ ହେବ । ରେ ବଉଳ, ତାଙ୍କୁ ଭକ୍ତି ଭାବରେ ଓ ଦୃଢ଼ ଭାବରେ ଯେ ବାନ୍ଧି ରଖିପାରିବ, ହଜାର ଯମ ହେଲେ ମଧ୍ୟ ତାକୁ ନେଇ ପାରିବେ ନାହିଁ । ଅକ୍ଷୟ ପୁରୁଷ ସେ, ତାଙ୍କର କ୍ଷୟ ନାହିଁ । ଭକ୍ତ ପ୍ରେମାନନ୍ଦ ପ୍ରଭୁଙ୍କ ପାଦ ତଳେ ଆଶ୍ରା କରି ଏ ଗୀତ ରଚନା କଲେ ।