କହୁଅଛି ମନ ଶୁଣ

କହୁଅଛି ମନ ଶୁଣ

ସିଦ୍ଧସାଧୁ ଅନନ୍ତ ବାବା

 

(କବିଙ୍କର ଇଏ ଏକ ଉତ୍କୃଷ୍ଟ ଚଉତିଶା । ଏଥିରେ ପ୍ରଭୁଙ୍କ ଅପାର ମହିମା ବର୍ଣ୍ଣିତ । ଦୁଃଖପୂର୍ଣ୍ଣ ସଂସାରରେ ଅଖିଳନାଥ ହିଁ ସବୁକିଛି । ତାଙ୍କୁ ଯିଏ ସେବା କରିବ, ଭବସାଗରରୁ ପାରି ହୋଇଯିବ । ମନୁଷ୍ୟ ଭାବରେ ବାନ୍ଧି ହୋଇଯାଇଛି ଭଗବାନଙ୍କ ସହିତ । କବି ସମଗ୍ର ମାନବ ସମାଜକୁ ଆହ୍ୱାନ ଦେଇଛନ୍ତି, ଭଗବାନଙ୍କ ପଦାରବିନ୍ଦରେ । ନିଜକୁ ହଜାଇ ଦେବା ପାଇଁ । ଏଥିରେ କବିଙ୍କ ଆଧ୍ୟାତ୍ମ ଭାବ, ଭକ୍ତି ନୈବେଦ୍ୟ । ଫୁଟି ଉଠିଛି ।)

 

କହୁଅଛି ମନ ଶୁଣ,

କର ବ୍ରହ୍ମେ ଭକ୍ତି ଦେଇଣ ମନ ।

ସୁମନରେ,

କଳୁଷ ହେବ ଖଣ୍ଡନ । ସୁମନରେ ।୧।

କ୍ଷମାସାଗର ନାମକୁ,

ଖଳ ଛାଡ଼ି ଭଜ ତେଜି ଭୟକୁ ।

ସୁମନରେ,

ଖଣ୍ଡିଦେବେ ସେ ଦୁଃଖକୁ । ସୁମନରେ ।୨।

 

ଗୁରୁ ପିତାମାତା ସେହି,

ଗହନକାନନୁ ନେବେ ବଞ୍ଚାଇ ।

ସୁମନରେ,

ଗତିପଥ ଦେବେ ନେଇ । ସୁମନରେ ।୩।

ଘୋଷ ନାମକୁ ନିରତ ।

ଘାରି ନୁହ ଆଉ ମାୟାରେ ତୁ ତ ।

ସୁମନରେ,

ଘାତେ ନ ହୋଇବୁ ହତ, ସୁମନରେ ।୪।

 

ଅଖିଳନାଥ ଅଟନ୍ତି,

ଅନ୍ତର୍ଗତେ ଭଜ ଦିବସ ରାତି ।

ସୁମନରେ,

ଅନୁସର ତାଙ୍କୁ ନିତି । ସୁମନରେ ।୫।

ଚୌରାଶୀ ନର୍କ ତରିବୁ,

ଚର୍ମ ଦେହେ ଆଉ ଜନ୍ମ ନ ହେବୁ ।

ସୁମନରେ,

ଚିତ୍ତେ ଚିନ୍ତିଲେ ପାଇବୁ । ସୁମନରେ ।୬।

 

ଛଡ଼ ଚକ୍ର ପରେ ବାସ,

ଛାଡ଼ି ମନ ଭ୍ରମ ସେ ପାଦେ ରସ ।

ସୁମନରେ,

ଛନ୍ଦି ତୋ ହୋଇବ ନାଶ । ସୁମନରେ ।୭।

ଜଗତନାଥ ଅଟନ୍ତି,

ଯତନେ ସୁପ୍ରେମେ କର ଭକତି ।

ସୁମନରେ,

ଜନ୍ମ ନ ହେବ ଧରତୀ । ସୁମନରେ ।୮।

 

ଭାବାର୍ଥ- (୧-୮) କବି ସମଗ୍ର ଜଗତବାସୀଙ୍କୁ ବ୍ରହ୍ମଙ୍କ ଠାରେ ଭକ୍ତି ଢାଳି ଦେବାପାଇଁ ଆହ୍ୱାନ ଦେଇଛନ୍ତି । ସୁମନରେ, ମନ ଦେଇ ଶୁଣ । ଭକ୍ତି ଭାବରେ ବହଳ। ଭଜ । ତୋର ସମସ୍ତ ପାପ ଖଣ୍ଡନ ହେବ । ରେ ସୁମନ, ମନ ମଧ୍ୟରୁ ଖଳଚିନ୍ତା, ଭୟକୁ ତ୍ୟାଗ କରି କ୍ଷମାସାଗରଙ୍କ ନାମକୁ ଭଜ ! ସେ ସମସ୍ତ ଦୁଃଖକୁ ହରିନେବେ । ସେ ହିଁ ଗୁରୁ, ପିତାମାତା ସବୁକିଛି । ତାଙ୍କୁ ଡାକିଲେ ସେ ଦୁଃଖକଷ୍ଟର ଭୟଙ୍କର ବଣର ବଞ୍ଚାଇ ନେବେ । ଠିକ୍ ମାର୍ଗ ଦେଖାଇବେ । ରେ ସୁମନ, ନିରନ୍ତର ଭାବରେ ପ୍ରଭୁଙ୍କ ନାମକୁ ଘୋଷ । ମାୟାରେ ଆଉ ଘାରି ନ ହୋଇ ତାଙ୍କ ନାମକୁ ସ୍ମରଣ କର । ତା’ ହେଲେ କୌଣସି ବାଧାବିଘ୍ନ ପଡ଼ିବ ନାହିଁ ବା ଅସ୍ତ୍ରଶସ୍ତ୍ର ଘାତରେ ମୃତ୍ୟୁ ହେବ ନାହିଁ ।

 

ସୁମନରେ, ସେ ସାକ୍ଷାତ୍ ଅଖିଳନାଥ, ବ୍ରହ୍ମାଣ୍ଡକରତା । ଭକ୍ତି ଭାବପୂର୍ଣ୍ଣ ଅନ୍ତରରେ । ଦିବାରାତି ତାଙ୍କୁ ଭଜ । ନିତି ପ୍ରଭୁଙ୍କୁ ଅନୁସରଣ କର । ରେ ସୁମନ, ପ୍ରଭୁଙ୍କୁ ଚିତ୍ତରେ ଚିନ୍ତିଲେ ଚୌରାଶି ନର୍କରୁ ତରିବୁ । ଚର୍ମ ଦେହରେ ଆଉ ଜନ୍ମ ହେବୁ ନାହିଁ । ସୁମନରେ, ପ୍ରଭୁ ଷଡ଼ଚକ୍ରରେ (ତନ୍ତ୍ରଶାସ୍ତ୍ର ମତରେ ଦେହ ମଧ୍ୟରେ ପଦ୍ମାକୃତି ଛଅଟି ଚକ୍ର ରହିଛି- ସେଗୁଡ଼ିକ ହେଲା- ଆଧାର ଚକ୍ର, ଲିଙ୍ଗଚକ୍ର, ନାଭିଚକ୍ର, ହୃଦୟଚକ୍ର, କଣ୍ଠଚକ୍ର ଓ ରାଧାଚକ୍ର) ଅବସ୍ଥାନ କରୁଛନ୍ତି । ମନ ମଧ୍ୟରୁ ଭ୍ରମ ସବୁକୁ ଦୂରେଇ ଦେଇ ପରମେଶ୍ଵରଙ୍କ ନିକଟରେ ଶରଣପଶ । ତୋର ସମସ୍ତ ଦୁଃଖଯନ୍ତ୍ରଣା ଦୂର ହେବ । ସୁମନରେ, ପ୍ରଭୁ ସାକ୍ଷାତରେ ଜଗନ୍ନାଥ । ପ୍ରେମ ଭାବରେ ତାଙ୍କୁ ଭକ୍ତି କର । ପୃଥିବୀ ପୃଷ୍ଠରେ ତୋତେ ଆଉ ଜନ୍ମ ଦେବେ ନାହିଁ ।

 

ଝଗଡ଼ା ତେଜି ମନରୁ,

ଝଟତି ଆଶ୍ରେ କର ସଦ୍‌ଗୁରୁ ।

ସୁମନରେ,

ଝଞ୍ଜକା ଯିବ ମନରୁ । ସୁମନରେ ।୯।

ନୟନାଭ୍ୟନ୍ତରେ ବାସ,

ନବୀନ ମୂରତି ରୂପ ପ୍ରକାଶ ।

ସୁମନରେ,

ନରଦେହେ ହେବେ ଦୃଶ୍ୟ । ସୁମନରେ ।୧୦।

 

ଟାଣ ନ ବହି ହୃଦରେ,

ଟଳି ନ ପଡ଼ ଏ ମାୟା ସଂସାରେ ।

ସୁମନରେ,

ଟାକି ରୁହ ନିଷ୍କାମରେ । ସୁମନରେ ।୧୧।

ଠଣ ସୁନ୍ଦର ମୂର୍ତ୍ତିଙ୍କୁ,

ଠକ ପଣ ଛାଡ଼ି କର ଭକ୍ତିକୁ ।

ସୁମନରେ,

ଠିକେ ଧର ସେ ପାଦକୁ । ସୁମନରେ ।୧୨।

 

ଡର ଭୟ କରି ଦୂର,

ଡେରି ଚାହିଁ ନେତ୍ରେ କରିଣ ସ୍ଥିର ।

ସୁମନରେ ।

ଦଣ୍ଡ ହେବ ତୋ ନିବାର । ସୁମନରେ ।୧୩।

ଢୋକି ନ ପିଅ ପୀୟୂଷ,

ଢଙ୍ଗ ରଙ୍ଗେ ସର୍ବେ ହେଉଛ ନାଶ ।

ସୁମନରେ ।

ଢଙ୍ଗ ଛାଡ଼ିକରି ଆସ । ସୁମନରେ ।୧୪।

 

ଅଣହେଳା ନ କରିଣ,

ଅନ୍ତର୍ଗତେ ତାଙ୍କୁ କର ଭଜନ ।

ସୁମନରେ ।

ଅବଶ୍ୟ ହେବ ଉତ୍ତୀର୍ଣ୍ଣ । ସୁମନରେ ।୧୫।

ତୁରିତେ ତତ୍ତ୍ୱ ପଥକୁ,

ତରିବ ଯେମନ୍ତେ ଧର ତାହାଙ୍କୁ ।

ସୁମନରେ ।

ତିଳେ ନ ଭଜ ଅନ୍ୟକୁ । ସୁମନରେ ।୧୬।

 

ଭାବାର୍ଥ- (୯-୧୬) ସୁମନରେ, ତୋ ମନ ମଧ୍ୟରେ ଯାହା ରାଗ, ଦ୍ୱେଷ, ଝଗଡ଼ାଝାଟି ଭାବ ରହିଛି, ସେ ସବୁକୁ ତ୍ୟାଗକରି ଶୀଘ୍ର ସଦ୍‌ଗୁରୁଙ୍କ ଆଶ୍ରା କର । ମନରୁ ସମସ୍ତ ଅଶାନ୍ତି ଦୂର ହେବ । ସୁମନରେ ତୋର ଚକ୍ଷୁର ଅଭ୍ୟନ୍ତରରେ ପ୍ରଭୁ ବାସ କରୁଛନ୍ତି । ସେ ନବୀନ ମୂରତି ରୂପ ପ୍ରକାଶ କରିଛନ୍ତି । ନର ଦେହରେ ଦୃଶ୍ୟମାନ ହେବେ । ସୁମନରେ, ହୃଦୟରେ ଟାଣ ନ ହୋଇ ମାୟାସଂସାରରେ ଟଳି ପଡ଼ ନାହିଁ । ନିଷ୍କାମ ହୃଦୟରେ ପ୍ରଭୁଙ୍କୁ ପ୍ରାର୍ଥନା କର । ଠକ ପଣ ଛାଡ଼ି ଭକ୍ତିମାର୍ଗରେ ଚାଲ । ଠଣ ସୁନ୍ଦର ମୂର୍ତ୍ତି ଭଗବାନଙ୍କ ପଦାରବିନ୍ଦରେ ନିଜକୁ ଢାଳି ଦିଅ ।

 

ସୁମନରେ, ମନ ମଧ୍ୟରୁ ଡରଭୟକୁ ଦୂର କରି ସ୍ଥିର ଚକ୍ଷୁରେ ପ୍ରଭୁଙ୍କୁ ଚାହଁ । ତୋ ଜୀବନର ଦୁଃଖକଷ୍ଟ ହଟିଯିବ । କଳିଯୁଗର ଢଙ୍ଗରଙ୍ଗରେ ପଡ଼ି ତୁମ୍ଭେମାନେ ସବୁ ନାଶ ଯାଉଛ । ଢଙ୍ଗ ଛାଡ଼ । ଅମୃତକୁ ଢୋକି ପିଅ ନାହିଁ । ତାକୁ ପାନ କର । ପରମ ପିତାଙ୍କ ପାଦ ତଳେ ଶରଣ ପଶ । ରେ ସୁମନ, ସମୟ ଗଡ଼ି ଯାଉଛି । ଆଉ ହେଳା କରନାହିଁ । ବେଳ ଥାଉଁଣୁ ତାଙ୍କୁ ଅନ୍ତର ମଧ୍ୟରେ ଭଜନ କର । ତେବେ ଯାଇ ଏ ସଂସାରରୁ ତରିଯିବ । ଯାହାଙ୍କୁ ମନ ମଧ୍ୟରେ ଭଜନ କଲେ ଏ ସଂସାରର ଦୁଃଖ କଷ୍ଟରୁ । ପାର ହେବ, ତାଙ୍କୁ ହିଁ ପ୍ରାର୍ଥନା କର । ତିଳେ ହେଲେ ଅନ୍ୟକୁ ଧ୍ୟାନ ଭଜନ କର ନାହିଁ।

 

ଥାଉଁ ଥାଉଁ ପିଣ୍ଡେ ପ୍ରାଣ,

ଥବିରେ ଧର ବେଳକୁ ଜାଣିଣ ।

ସୁମନରେ,

ସ୍ଥିର ଭାବ କରି ମନ । ସୁମନରେ ।୧୭।

ଦୁଃଖମୟ ଏ ସଂସାର,

ଦମ୍ଭ ମନ ତହିଁ କେଭେ ନ କର ।

ସୁମନରେ,

ଦୁଃଖ ପାଇବ ଅପାର । ସୁମନରେ ।୧୮।

 

ଧର ଧର ଧର୍ମ ପଥ,

ଧନ୍ଦା ତେଜି ମନୁ କର ଆଶ୍ରିତ ।

ସୁମନରେ,

ଧରଣୀରୁ ହେବ ମୁକ୍ତ । ସୁମନରେ ।୧୯।

ନିଶି ଦିନ ହୃଦୟରେ,

ନକରି ବିଳମ୍ବ ଜପ ମନରେ ।

ସୁମନରେ,

ନଯିବ ଯମର ପୁରେ । ସୁମନରେ ।୨୦।

 

ପୂର୍ଣ୍ଣାନନ୍ଦ ପାଦ ଗତେ,

ପ୍ରୀତି ଲଗାଅ ତୁ ଅନବରତେ ।

ସୁମନରେ,

ପରାପର ତେଜି ଚିତ୍ତେ । ସୁମନରେ ।୨୧।

ଫଳ ଫଳିବ ଅବଶ୍ୟ,

ଫଳ ଭୋଗେ ତୁ ତ ହୋଇବୁ ତୋଷ ।

ସୁମନରେ,

ଫୁଟି ନ ହେବୁ ବିଧ୍ୱଂସ । ସୁମନରେ ।୨୨।

 

ବସି ଲଗା ଏବେ ଧ୍ୟାନ,

ବାଇ ନର୍କରେ ଯହିଁକି ଗମନ ।

ସୁମନରେ,

ବୈକୁଣ୍ଠପୁର ତା ମନ । ସୁମନରେ ।୨୩।

ଭବସାଗରୁ ତରିବ,

ଭବରେ ଆଉ ଯେ ଜନ୍ମ ନ ହେବ ।

ସୁମନରେ,

ଭାବ କରିଲେ ପାଇବ । ସୁମନରେ ।୨୪।

ମନ ମାତଙ୍ଗର ପରି,

ମାୟାରେ ପଡ଼ିଣ ହେଉଛି ଘାରି ।

ସୁମନରେ,

ମାର ଗୁରୁ ସୂତ୍ର ଧରି । ସୁମନରେ ।୨୫।

 

ଭାବାର୍ଥ- (୧୭-୨୫) ସୁମନରେ, ପିଣ୍ଡରେ ପ୍ରାଣ ଥାଉଁ ଥାଉଁ, ବୃଦ୍ଧାବସ୍ଥାରେ ମନକୁ ସ୍ଥିର କରି ପ୍ରଭୁଙ୍କୁ ଡାକ । ଏ ସଂସାର ଦୁଃଖମୟ । ଗର୍ବ, ଦମ୍ଭ ମନରୁ ଛାଡ଼ ଅନ୍ୟଥା ଅପାର ଦୁଃଖ ପାଇବ । ଧର୍ମ ପଥକୁ ସର୍ବଦା ଆଶ୍ରା କର । ସମସ୍ତ ପ୍ରକାର ଧନ୍ଦା ଛାଡ଼ି ପ୍ରଭୁଙ୍କ ପାଦପଦ୍ମରେ ମନ ଦିଅ । ତାହା ହେଲେ ଏ ପାପ ଜଗତରୁ ମୁକ୍ତି ପାଇବ । ରେ ସୁମନ, ଡେରି ନ କରି ଦିବାରାତ୍ରି ତାଙ୍କୁ ମନ ମଧ୍ୟରେ ଜପଧ୍ୟାନ କର । ଫଳରେ ଯମ ଭୟ ରହିବ ନାହିଁ । ଅନବରତ ପୂର୍ଣ୍ଣାନନ୍ଦଙ୍କ ପାଦତଳେ ମନକୁ ଢାଳ । ପରାପର ଭାବକୁ ମନ ମଧ୍ୟରୁ ତେଜି ତାଙ୍କ ପଦାରବିନ୍ଦରେ ନିଜକୁ ଢାଳିଦିଅ । ସେ ଅବଶ୍ୟ ଭଲ ଫଳ ଦେବେ । ଫଳପ୍ରାପ୍ତିରେ ମନରେ ସନ୍ତୋଷ ଆସିବ । ଫୁଲ ଭଳି ତୁ ଫୁଟି ତାଙ୍କୁ ସନ୍ତୋଷ କର । ନ ଫୁଟିଲେ ନାଶ ଯିବ ।

 

ସୁମନରେ, ବସି କରି ଏବେ ପ୍ରଭୁଙ୍କ ପାଦତଳେ ମନକୁ ଲଗାଅ । ଅସ୍ତିର ମନା ହେଲେ ନର୍କକୁ ଗମନ କରିବ । ବୈକୁଣ୍ଠପୁରରେ ସର୍ବଦା ମନ ବଳୁ । ପ୍ରଭୁ ହେଉଛନ୍ତି ଭାବର ଠାକୁର । ସେ ଭାବମୟ । ତାଙ୍କୁ ଭାବରେ ଧ୍ୟାନ କଲେ ଏ ଭବ ସାଗରରୁ ତରିଯିବ । ଏ ମାୟା ସଂସାରରେ ଆଉ ପୁନର୍ଜନ୍ମ ପାଇବ ନାହିଁ । ସୁମନରେ, ଏ ମନ ହାତୀପରି । ହାତୀ ଯେମିତି ପଙ୍କରେ ପଡ଼ି ଛଟପଟ ହୁଏ, ଏ ମନ ସେମିତି ମାୟାପଙ୍କରେ ପଡ଼ି କଲବଲ ହେଉଛି । ଗୁରୁଙ୍କୁ ପ୍ରାର୍ଥନା କର । ସେ ଏ ବିପଦରୁ । ଉଦ୍ଧାର କରିବେ ।

 

 

ଜାଣ ଜାଣୁ ଏତେବେଳେ,

ଜାଗି ନ ପାରିଲେ ଏ ଭବ ଜଳେ ।

ସୁମନରେ,

ଯଶାରେ ପଡ଼ିବୁ ତାଳେ । ସୁମନରେ ।୨୬।

ରଙ୍ଗରେ ରହିଛୁ ମାତି,

ରସୁ ନାହୁଁ ଦିନେ କରି ଭକତି ।

ସୁମନରେ,

ରଙ୍ଗେ ଲଗାଇଛୁ ପ୍ରୀତି । ସୁମନରେ ।୨୭।

 

ଲୟ ପରଂବ୍ରହ୍ମ ପାଦେ,

ଲବେ ନ କରୁ ପଡ଼ିବୁ ପ୍ରମାଦେ ।

ସୁମନରେ,

ଲାଗିଛୁ ମାୟା ସମ୍ପଦେ । ସୁମନରେ ।୨୮।

ବାତୁଳ ପରାୟ ହୋଇ,

ବାରଆଡ଼େ ପଡ଼ି ଭ୍ରମୁଛୁ ତୁହି ।

ସୁମନରେ ।

ବିଚାର ତୋ ହୃଦେ ନାହିଁ । ସୁମନରେ ।୨୯।

 

ଶ୍ରୀଗୁରୁଙ୍କ ଶ୍ରୀଚରଣ,

ସେବା କରି ଏବେ କର ଭଜନ ।

ସୁମନରେ ।

ଶରଣ ପଶ ବହନ । ସୁମନରେ ।୩୦।

ସୁହତୀରେ ନ ଯା ଭାସି,

ସାର ବ୍ରହ୍ମେ ଏବେ ଚିତ୍ତ ଦିଅସି ।

ସୁମନରେ ।

ସୁଖ ମିଳିବ ଯେ ଆସି । ସୁମନରେ ।୩୧।

 

ଭାବାର୍ଥ- (୨୬-୩୧) ସୁମନରେ, ସବୁ ଜାଣୁ ଜାଣୁ ଏତିକି ବେଳେ ଯଦି ଜାଗ୍ରତ ନ ରହିବୁ, ଏ ଭବସାଗର ଜଳରେ ତୁ ବୁଡ଼ିଯିବୁ । ସଂସାରର ବିଭିନ୍ନ ରଙ୍ଗଢଙ୍ଗରେ ମାତିଛୁ । ମୋହରେ ପଡ଼ି ଦିନେ ମଧ୍ୟ ଭକ୍ତି ମାର୍ଗରେ ଚାଲୁନାହୁଁ । ଅନୈତିକ କାର୍ଯ୍ୟରେ ମନ ଦେଇଛୁ । ଭଲ ଯଦି ଚାହୁଁଛୁ, ପରଂବ୍ରହ୍ମଙ୍କ ପାଦରେ ଲୟ ରଖ । ମାୟା ସମ୍ପଦରେ ମନକୁ ବାନ୍ଧି ରଖୁଛୁ । ପ୍ରମାଦରେ ପଡ଼ିବୁ । ଏଥିରୁ ମୁକ୍ତି ପାଇଁ ପ୍ରଭୁଙ୍କର ଶରଣ ନିଅ ।

 

ସୁମନରେ, ବାତୁଳ ପ୍ରାୟ ହୋଇ ବାରଆଡ଼େ ବୁଲୁଛୁ । ତୋ ହୃଦୟରେ ସାମାନ୍ୟ ବିଚାର ବୁଦ୍ଧି ନାହିଁ । ଶ୍ରୀଗୁରୁଙ୍କ ଶ୍ରୀଚରଣ ତଳେ ସେବା କରି ନିତି ଧ୍ୟାନ ଭଜନ କର । ରେ ସୁମନ, ପ୍ରଭୁଙ୍କ ପାଖରେ ଶୀଘ୍ର ଶରଣ ପଶ । ଗଭୀର ଜଳରେ ଭାସି ଯାଅନି । ସଂସାର ସାର ବ୍ରହ୍ମଙ୍କ ପାଖରେ ମନଦିଅ । ନିଶ୍ଚୟ ସ୍ୱର୍ଗସୁଖ ମିଳିବ ।

 

ଷଡ଼ ଐରି ବଶେ ରହି,

ସ୍ୱରୂପ ତୋହର ଚିହ୍ନିଲୁ ନାହିଁ ।

ସୁମନରେ,

ଷଡ଼ରସେ ହେଲୁ ବାଇ । ସୁମନରେ ।୩୨।

ହତ ପ୍ରକୃତି ବହିଣ,

ହଇରାଣ ହେଉ ମଦେ ମାତିଣ ।

ସୁମନରେ ।

ହିତରେ ନ ଦେଉ ମନ । ସୁମନରେ ।୩୩।

କ୍ଷମାନନ୍ଦ ଶୂନ୍ୟ ଦେହୀ,

କ୍ଷୟ ହେବ ଦୁଃଖ ଭଜ ଚିତ୍ତୋଇ ।

ସୁମନରେ,

କ୍ଷମେ ଅନନ୍ତ କହଇ । ସୁମନରେ ।୩୪।

 

ଭାବାର୍ଥ- (୩୨-୩୪) ସୁମନରେ, କାମ, କ୍ରୋଧ, ଲୋଭ, ମୋହ, ମଦ, ମାତ୍ସର୍ଯ୍ୟ- ମନୁଷ୍ୟର ଏହା ଷଡ଼ରିପୁ । ଏହାର ବଶରେ ପଡ଼ି ତୁ ନିଜକୁ ବି ଚିହ୍ନିପାରୁନାହୁଁ । ସର୍ବଦା ଷଡ଼ ରସ (ଲବଣ, ଅମ୍ଳ, କଟୁ, କଷାୟ, ତିକ୍ତ, ମଧୁର) ରେ ବାଇ ହେଲୁ । ନିଷ୍ଠୁର ପ୍ରକୃତି ହୃଦରେ ଧରି ଗର୍ବ, ଅହଂକାରରେ ବୁଡ଼ି ରହିଛୁ । ନିଜେ ହଇରାଣ ହେଉଛୁ, ପରର ହିତ ସାଧନ କରିପାରୁନାହଁ । ରେ ସୁମନ, କ୍ଷମାନନ୍ଦ ଶୂନ୍ୟ ଦେହୀଙ୍କୁ ଉତ୍ତମ ମନରେ ଭଜ, ଦୁଃଖକଷ୍ଟ ଦୂର ହେବ । ଦୀନ ଅନନ୍ତ ଏହାକୁ ଗୀତରେ ଭଣିଲେ ।