ଦୂତୀ ଚଉତିଶା

ଦୂତୀ ଚଉତିଶା

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

 

(କବି ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମାଙ୍କ ଜନ୍ମ ଆନୁମାନିକ ୧୭୩୭ ମସିହା- ନୟାଗଡ଼ ଜିଲ୍ଲାର ଶରଣକୁଳ ପାଖ ଭିଭାରୀପଡ଼ା ଶାସନରେ । ତାଙ୍କର ପ୍ରଥମ ନାମ ଥୁଲା ସାଧୁଚରଣ ହୋତା । ମହନ୍ତ ହେଲା ପରେ ସାଧୁଚରଣ ଦାସ ହୋଇଥିଲେ ଓ ପରବର୍ତ୍ତୀ ସମୟରେ ‘ସଦାନନ୍ଦ’ ନାମରେ ପରିଚିତ ହେଲେ । ଗଜପତି ବୀରକେଶରୀ ଦେବଙ୍କ ଠାରୁ ସେ ‘କବିସୂର୍ଯ୍ୟ ବ୍ରହ୍ମା’ ଉପାଧି ଲାଭ କରିଥିଲେ । ‘ବିଶ୍ୱମ୍ବର ବିହାର’, ‘ପ୍ରେମକଳ୍ପଲତା’, ‘ମୋହନ ଲତା’, ‘ନିସ୍ତାର ନୀଳମଣି’, ‘ସ୍ତୁତି ଚିନ୍ତାମଣି’ ପ୍ରଭୃତି ତାଙ୍କର ଅମ୍ଳାନ ସୃଷ୍ଟି । ପରମ ପ୍ରେମମୟ ଶ୍ରୀକୃଷ୍ଣଙ୍କୁ ପାଇ ରାଧାଙ୍କ ହୃଦୟ ବ୍ୟଗ୍ର ଓ ବିଚଳିତ ହୋଇ ଉଠିଛି । ସେ ନିଜର ମନ କଥା ପ୍ରିୟ ଦୂତୀ ଆଗରେ ପ୍ରକାଶ କରିଛନ୍ତି । କୃଷ୍ଣଙ୍କ ଅପୂର୍ବ, ଅନିନ୍ଦ୍ୟ ରୂପ, ଶ୍ରୀରାଧା-କୃଷ୍ଣଙ୍କର ଅଲୌକିକ ପ୍ରେମ ରସ ଚଉତିଶାଟିର ପ୍ରାଣ । ସୁନ୍ଦର, ସରଳ ଭାଷା ଓ ଚମତ୍କାର ଶୈଳୀରେ ଏହା ବିମଣ୍ଡିତ ।)

 

କହନ୍ତି ରାଧିକା ଦୂତୀ ଗଲ ନୀର ଆଣି,

କାଳିନ୍ଦୀରେ ସ୍ନାନ କରି ବୁଡ଼ାଇଲି ପାଣି,

କାଖେ କୁମ୍ଭ ଘେନି ମୁଁ ଆସିବାର ବେଳେ,

କୋଟିଏ କନ୍ଦର୍ପ କଳା ଉଭା ତରୁ ମୂଳେ,

ଦୂତୀୟେ ଗୋ

ମୁହିଁ ଦେଖିଲି କଦମ୍ବ ତରୁ ମୂଳେ,

ସେହି ନନ୍ଦ ନନ୍ଦନକୁ ଆଣି ଦେବା ଦଳେ ।୧।

 

ଖଞ୍ଜିଛି ଚୂଡ଼ାରେ ଦୂତୀ ନାନା ପୁଷ୍ପମାନ

ଖଗପତି ନାଥ ଶୋଭା ଅତି ବିଚକ୍ଷଣ,

ଖଣ୍ଡୁଆ ପତନୀ ପାଟ ପିନ୍ଧିଅଛ ଟାଣି,

ଖେଦ ମୋ ବଳିଲା ଚିତ୍ତ ଦେବୁ କିନା ଆଣି

ଦୂତୀୟେ ଗୋ ।୨।

 

ଗଳାରେ ଶୋଭାଇ ତାର ଗଣ୍ଠିଆରି ସୂତା,

ଗଜ ଦନ୍ତ ଶ୍ୱେତ ନେତ କନକ ପଇତା,

ଗନ୍ଧ ପୁଷ୍ପ ବନମାଳା ହୃଦରେ ଲମ୍ବଇ

ଗହନ କାଳିଆ ମେଘେ ବିଜୁଳି ଖେଳଇ

ଦୂତୀୟେ ଗୋ ।୩।

 

ଘଟଣ ଦିଶଇ ତାଙ୍କ ଶ୍ରୀମୁଖମଣ୍ଡଳ

ଘାରି ହୁଏ ଦେହ ମୋର ଅତି ଅସମ୍ଭାଳ ।

ଘଡ଼ିକେ ଚେତନା ପାଇ ଘରକୁ ମୁଁ ଆସି

ଘର ବର ନ ରୁଚଇ ଘୋଷୁ ଅଛି ବସି,

ଦୂତୀୟେ ଗୋ ।୪।

 

ନିର୍ମାଣ କରିଛି ତାଙ୍କୁ କେଉଁ ସେ ଦଇବ

ନୟନେ ଦେଖିଲା ନାହିଁ ଏମନ୍ତ ଅପୂର୍ବ,

ନୀଳ ଜୀମୂତେଁ ତନୁ ନୂଆ ବୟସ ।

ନୋହିଲେ କି ହୋଇ ଅଛି ଏମନ୍ତ ସୁବେଶ

ଦୂତୀୟେ ଗୋ ।୫।

 

ଭାବାର୍ଥ- (୧-୫) କୃଷ୍ଣମୟ ପ୍ରାଣ ରାଧାଙ୍କର । ଶୟନେ, ସ୍ୱପନେ ଜାଗରଣରେ । ସେ କୃଷ୍ଣଙ୍କୁ ହିଁ ଦେଖୁଛନ୍ତି । କୃଷ୍ଣବିନା ଯେମିତି ତାଙ୍କର ଅନ୍ୟ ଗତି ନାହିଁ । ନିଜର ପ୍ରିୟ ଦୂତୀକୁ ଡାକି ଅନ୍ତରର କଥା କହୁଛନ୍ତି, ଲୋ ଦୂତ, ଆଜି ଯମୁନା ଜଳ ଆଣିବା ପାଇଁ ଯାଇଥିଲି । ସ୍ନାନ ସାରି କାଖରେ ଜଳଭରା କୁମ୍ଭ ଧରି ଫେରିବା ବେଳେ ଦେଖିଲି କଦମ୍ବ ବୃକ୍ଷ ମୂଳରେ କୋଟିଏ କନ୍ଦର୍ପର କଳା ମୂର୍ତ୍ତିଟିଏ ଉଭା ହୋଇଛନ୍ତି । ଦୂତୀ ଗୋ, ସେ ନିଶ୍ଚୟ ନନ୍ଦନନ୍ଦନ କୃଷ୍ଣ । ତାଙ୍କୁ ମୋ ପାଖକୁ ଆଣ । ଲୋ ଦୂତ, ତାଙ୍କ ଚୂଡ଼ାରେ ନାନା । ରକମର ଫୁଲର ସମ୍ଭାର । ସେଇ ଖଗପତି ନାଥ ଶ୍ରୀକୃଷ୍ଣଙ୍କ ଶୋଭା ଅତ୍ୟନ୍ତ ଆକର୍ଷଣୀୟ । ଖଣ୍ଡୁଆ ପତନୀ ପାଟ ତାଙ୍କର ପରିଧାନ । ତାଙ୍କର ସେଇ ଅପାର, ଅନିନ୍ଦ୍ୟ ରୂପ ଦେଖି ମୋ ମନ ଟଳି ଯାଉଛି, ତାଙ୍କୁ ମୋ ପାଖକୁ ଆଣିବୁକି ନାହିଁ କହ ? ତାଙ୍କ ଗଳାରେ ଗଣ୍ଠିଆରି ସୂତା ଶୋଭା ପାଉଛି । ଦେହରେ ଗଜଦନ୍ତ ଶ୍ଵେତ କନକର ପଇତା । ହୃଦୟରେ ଗନ୍ଧପୁଷ୍ପରେ ପରିପୂର୍ଣ୍ଣ ବନମାଳା ଲମ୍ବିଛି । ଗହନ କୃଷ୍ଣ ବର୍ଣ୍ଣ ମେଘ ଦେହରେ ବିଜୁଳିର ଝଟକ ପରି ତାଙ୍କ ଦେହରେ ସୁବର୍ଣ୍ଣ ପଇତା, ବନମାଳା ଦେଖାଯାଉଛି ।

 

ଦୂତୀ ଗୋ, ତାଙ୍କ ଶ୍ରୀମୁଖ ମଣ୍ଡଳର ଗଢ଼ଣ ବେଶ୍ ରମଣୀୟ । ତାଙ୍କୁ ଦେଖ ମୋର ମନ, ଦେହ ଘାରି ହେଉଛି, ମୋତେ ଅସମ୍ଭାଳ ଲାଗୁଛି । ତାଙ୍କୁ ସେଠାରେ ଦେଖି ଘଡ଼ିଏ ଯାଏଁ ଚେତା ହରାଇ ବସିଥିଲି । କିଛି କ୍ଷଣ ପରେ ଚେତନା ପାଇ ଘରକୁ ଫେରିଲି ।

 

ସେତେବେଳଠୁଁ ଘର, ବର ମୋତେ କିଛି ରୁଚୁନି । ଦୂତୀ ଗୋ, ଖାଲି ତାଙ୍କ ନାଁ’କୁ ଏଠାରେ ବସି ଘୋଷୁଛି । ଦୂତ ଗୋ, ତାଙ୍କୁ କେଉଁ ଦଇବ ନିର୍ମାଣ କରିଛି କେଜାଣି, ତାଙ୍କର ଅପୂର୍ବ ରୂପକୁ ଏ ଚକ୍ଷୁ ଭଲ ରୂପେ ଦେଖି ପାରିଲା ନାହିଁ । ନୀଳ ଜୀମୂତ (ମେଘ) ଶରୀର, ନବ ବୟସ । ନ ହେଲେ କ’ଣ ଏମିତି ସୁବେଶ ହୋଇଥା’ନ୍ତେ ?

 

ଚୂଡ଼ାର ଉପରେ ତାଙ୍କର ମୟୂର ଚନ୍ଦ୍ରିକା

ଚାନ୍ଦର ଉପରେ ଆସି ଚାନ୍ଦ ଦିଏ ଦେଖା ।

ଚମ୍ପା ବକୁଳ ମାଳି ବାନ୍ଧିଅଛି ବାଙ୍କେ

ଚାରିପାଶେ ଭ୍ରମର ଉଡ଼ଇ ଝାଙ୍କେ ଝାଙ୍କେ

ଦୂତୀୟେ ଗୋ ।୬।

 

ଛଛନ୍ଦେ ଦେଖାଇ ଆଳ ମଦନ ମୂରତି,

ଛୟେ ଗଲା ପାପ ମୋର ଦୁଃସହ ଦୁର୍ଗତି ।

କ୍ଷମା ସାଗର ହରି ମହିମା ଅପାର,

କ୍ଷଣେ ନ ଦେଖିଲେ ମୁହିଁ ମନ୍ଦିରୁ ବାହାର

ଦୂତୀୟେ ଗୋ ।୭।

 

ଜଗତ ଜୀବନ ହରି ଯଶୋଦା ନନ୍ଦନ,

ଯମୁନାରେ ପଶି କଲେ କାଳୀୟ ମର୍ଦ୍ଦନ ।

ଯାହାର ମହିମା କଥା କହୁ ନ ସରଇ,

ଯୁବତୀମାନଙ୍କୁ ରସେ ଗରବ ଗଞ୍ଜଇ ।

ଦୂତୀୟେ ଗୋ ।୮।

 

ଝୀନ ବସନ ପାଟ ପିନ୍ଧିଥାଇ ଟାଣି,

ଝଟ ଝଟ ବିରାଜଇ ରତ୍ନ ଓଡ଼ିଆଣି ।

ଝୁମ୍ପା ଝୁମ୍ପା ପାଟ ଥୋପି ବେଣୀରେ ଲମ୍ବାଇ

ଝମକି ଚାଲନ୍ତେ ପାଦେ ନୂପୁର ବାଜଇ ।

ଦୂତୀୟେ ଗୋ ।୯।

 

ନୁଛି ହୋଇ ଯାଇ ତାଙ୍କ ସୁନ୍ଦର ପଣକୁ,

ନୟନେ ଦେଖିଲା ନାହିଁ ଏମନ୍ତ ଜଣକୁ ।

ନୀଳ ମେଘ ପ୍ରାୟେ ତନୁ ଅତିହିଁ ସୁବେଶ,

ଲଲାଟେ କସ୍ତୁରୀ ଚିତା ବିଜୁଳିର ତ୍ରାସ

ଦୂତୀୟେ ଗୋ ।୧୦।

 

ଭାବାର୍ଥ- (୬-୧୦) ରେ ଦୂତ, ତାଙ୍କ ମସ୍ତକ ଉପରେ ମୟୂରଚନ୍ଦ୍ରିକା ଖୁବ୍ ମାନୁଛି । ଯେମିତି ଚନ୍ଦ୍ର (ଜ୍ୟୋସ୍ନାରେ ଆଲୋକିତ) ଉପରେ ଚାନ୍ଦ ଦେଖା ଦେଇଛି, ବାଙ୍କ ଚୂଳିଆରେ ତାଙ୍କର ଚମ୍ପା, ବଉଳ ଫୁଲର ମାଳି ବନ୍ଧା ହୋଇଛି । ତା’ ଚାରିପାଖରେ ଭ୍ରମର ଉଡ଼ି ବୁଲୁଛି । ଦୂତ ଗୋ, ସ୍ଵଚ୍ଛନ୍ଦରେ ଆଜି ତାଙ୍କର କନ୍ଦର୍ପ ମୂର୍ତ୍ତି ଦେଖିଲି । ଅସହ୍ୟ ଦୁଃଖ ହେଉଛି । କ୍ଷମା ସାଗର ସେ ହରି । ଅପାର ମହିମା ତାଙ୍କର । ଘରୁ ବାହାରିବା ଘଡ଼ିଏ ନ ଦେଖିଲେ ମୁଁ ପାଗଳିନୀ ହୋଇଯାଏ । ଦୂତଗୋ, ଯଶୋଦା ନନ୍ଦନ କୃଷ୍ଣ, ଜଗତର ଜୀବନ । ଯମୁନା ଜଳରେ ପଶି କାଳୀୟ ସର୍ପକୁ ବିନାଶ କଲେ । ତାଙ୍କର ମହିମା ଏତେ ଯେ କହିଲେ ସରିବ ନାହିଁ । ପ୍ରେମ ରସରେ ଯୁବତୀମାନଙ୍କ ଗର୍ବକୁ ଭାଙ୍ଗି ଦେଇଛି ।

 

ଦୂତୀ ଗୋ ମୁଁ ଝାନ ବସନ ପାଟ ପିନ୍ଧି ରତ୍ନ ଓଡ଼ିଆଣି ପରି ଶୋଭା ପାଉଛି । ବେଣୀରେ ଝୁମ୍ପା ଲମ୍ବାଇ ଝମକି ଚାଲିଲେ ପାଦରେ ନୂପୁର ବାଜୁଥାଏ । ତାଙ୍କ ସୁନ୍ଦର ପଣ ଆଗରେ ଏହା କିଛି ନୁହେଁ । ଆଜି ଯାଏଁ ଏମିତି ସୁନ୍ଦର ପୁରୁଷଙ୍କୁ ଏ ଆଖି କେବେ ଦେଖୁନାହିଁ । ନୀଳମେଘ ପରି ଶରୀର, ବେଶ ଅତ୍ୟନ୍ତ ଶୋଭାମୟ । ଲଲାଟରେ କସ୍ତୁରୀର ଚିତା । ବିଜୁଳି ପରି ଝଟକୁଛି । ମନରେ ଭୟ ସୃଷ୍ଟି କରୁଛି ।

 

ଟେକିଣ ନୟନେ ଦୂତୀ ଚାହିଁଲେ ମୋତେ,

ଟହ ଟହ ହସୁଛନ୍ତି କହି ହୋଇ କେତେ ।

ଟାଣପଣ ସବୁ ମୋର କେଣିକି ଏହା ଗଲା,

ଟଳି ପଡ଼ୁଥିଲି ମୋତେ ଦଇବ ରଖିଲା ।

ଦୂତୀୟେ ଗୋ ।୧୧।

 

ଠିଆ ହୋଇଛନ୍ତି ଦୂତୀ ତ୍ରିଭଙ୍ଗିମା ହୋଇ,

ଠିକେଣ ମୁରଲୀ ଗୋଟି ଅଧରେଣ ଦେଇ ।

ଠାଠିକେ ଦେଖିଲି ଆଜ ଠାକୁରଙ୍କ ସଜ

ଠଣ ସୁନ୍ଦର ଶୋଭା ମତ୍ତ ଗଜରାଜ ।

ଦୂତୀୟେ ଗୋ ।୧୨।

 

ଡାକରତ୍ନ ଶୁଆ ଗୋଟି କହୁଅଛି କଥା,

ଡାଳିମ୍ବ ବୀଜର ଦନ୍ତ ସୁରଙ୍ଗ ମୁକୁତା

ଡମ୍ବରୁ ସଦୃଶ ମଝା ସିଂହବର ଠାଣି,

ଡଙ୍କ ଛୁଇଁଲେ ଯେହ୍ନେ ଅନଙ୍ଗ ଚାହାଣି ।

ଦୂତୀୟେ ଗୋ ।୧୩।

 

ଢାଳି ନୟନ ଦୂତୀ ଅନାଇଲେ ମୋତେ,

ଢାଳେ କାମଶର ବାଣ ବିନ୍ଧୁଅଛି ମୋତେ,

ଢମପଣ ସବୁ ମୋର କେଣିକି ଗୋ ଗଲା

ଢଳି ପଡ଼ୁଥିଲି ମୋତେ ଦଇବ ରଖିଲା,

ଦୂତୀୟେ ଗୋ ।୧୪।

 

ଆଣି ଯେବେ ଦେବୁ ସଖୀ କହ ସତ୍ୟ କରି,

ଅଣହେଳା କଲେ ମୋତେ ଯାଉଅଛି ମରି ।

ଅଣ ଆୟତ୍ତ ସଖୀ ହେଲା ଯେ ମୋର କାୟେ,

ଆଣି ଯେବେ ଦେବୁ ହରି ଛୁଇଁଯାଅ ଗାୟେ ।

ଦୂତୀୟେ ଗୋ ।୧୫।

 

ଭାବାର୍ଥ- (୧୧-୧୫) ଦୂତି ଗୋ, ଚକ୍ଷୁ ମେଲି ମୋତେ ସେ ଚାହିଁଲେ । କେତେ କ’ଣ କଥା କହି ଟହ ଟହ ହସୁଥା’ନ୍ତି । ତାଙ୍କୁ ଦେଖି ମୋର ଟାଣପଣ କୁଆଡ଼େ ଉଭେଇ ଗଲା । ଟଳି ପଡ଼ୁଥିଲି, ଦଇବ ଯାହା ରଖିଲା । ତ୍ରିଭଙ୍ଗୀ ଠାଣିରେ ଠିଆ ହୋଇଛନ୍ତି, ଅଧରରେ ମୁରଲୀକୁ ଲଗାଇ ଧରିଛନ୍ତି । ଆଜି ଠାକୁରଙ୍କ ବେଶ, ମତ୍ତହସ୍ତୀର ଶୋଭା ଦି’ଆଖିରେ ଦେଖିଲି । ଦୂତୀ ଗୋ, ତାଙ୍କ ଦନ୍ତ ପନ୍ତି ଡାଳିମ୍ବ ମଞ୍ଜି ସଦୃଶ, ମୁକ୍ତା ପରି ତେଜ ଦେଖାଯାଉଛି । କଟୀ ଦେଶ ଡମ୍ବରୁ ପରି, ସିଂହର ଠାଣି । କନ୍ଦର୍ପର ଚାହାଁଣି । ଚକ୍ଷୁ ଟେକି ମୋତେ ଚାହିଁଲେ । କାମଦେବର ଶର ମୋତେ ବିନ୍ଧି ଅସ୍ତବ୍ୟସ୍ତ କରି ପକାଉଛି । ମୋର ଢମପଣ ହଜିଗଲା । ତାଙ୍କୁ ଦେଖି ବିସ୍ମୟରେ ଢଳି ପଡ଼ୁଥିଲି, ଦଇବ ଯାହା ରଖିଲା ।

 

ସଖି ରେ, ତୁ ସତ୍ୟ କରି କହ, ମୋ ପାଖକୁ ତାଙ୍କୁ ଆଣିବୁ କି ନାହିଁ ? ଏଥିରେ ଯଦି ଅଣହେଳା କରିବୁ, ମୁଁ ମରିବାଟା ନିଶ୍ଚିତ । ମୋ ଶରୀର ବେଳକୁ ବେଳ ଅଣାୟତ୍ତ ହୋଇପଡ଼ୁଛି । ତାଙ୍କୁ ଯଦି ମୋ ପାଖକୁ ଆଣିବୁ, ସେ ମୋର ଦେହ ସ୍ପର୍ଶ କରିବେ ।

 

ତ୍ରୈଲୋକ୍ୟେମାହନ ଦୂତୀ ତ୍ରିଭୁବନ ସାର,

ତାହାଙ୍କ ମହିମା ଯେ ଦେବଙ୍କୁ ଅଗୋଚର ।

ତେଡ଼େ ବଡ଼ ଦୈତ୍ୟକୁ ରାମ ସେ ମାରନ୍ତି,

ତାରିଲେ ଗୋକୁଳ ପୁରେ ନନ୍ଦ ଯେ ନୃପତି ।

ଦୂତୀୟେ ଗୋ ।୧୬।

 

ଥିର ଯେ ଅଧୀର ଦୂତ ଯେ ଆଜାନୁ ବାହୁ,

ଥିରକରି ବକାସୁର ମାଇଲେ ଯେ ସେହୁ ।

ଥଳେ ବିଷ ଭରିଣ ଯେ ପୂତନା ଅଇଲା,

ଥିରକରି କ୍ଷୀରପାନେ ଜୀବନ ଶୋଷିଲା ।

ଦୂତୀୟେ ଗୋ ।୧୭।

 

ଦୁଇ କର୍ଣ୍ଣେ ଶୋହେ ତାଙ୍କ ମକର କୁଣ୍ଡଳ

ଦୟେଣା ତୁଳସୀ ମାଳ ଲମ୍ବେ ପାଦ ତଳ

ଦାଉ ଦାଉ ବିରାଜି ହୃଦର ପଦକ

ଦିଶଇ ଚନ୍ଦ୍ରମା ପ୍ରାୟେ ସର୍ବ ହୁଁ ଅଧିକ

ଦୂତୀୟେ ଗୋ ।୧୮।

 

ଧେନୁକା ମହିମା ଦୂତୀ ଜାଣୁ କିନା ମନେ

ଧ୍ୟାୟେ କରୁଛନ୍ତି ତାକୁ ଯୋଗୀ ଜନମାନେ ।

ଧଇଲେ ମନ୍ଦର ଗିରି ହାରିଲାକ ଇନ୍ଦ୍ର

ଧନ୍ୟ ନାମ ଦେଲେ ତାଙ୍କ ଗୋପରେ ଗୋବିନ୍ଦ

ଦୂତୀୟେ ଗୋ ।୧୯।

 

ନାଗରୀ ମୋହନ ଦୂତି ନଟବର ସେହି

ନାହିଁ ତାକୁ ମହିମା କହିଲେ ନ ସରଇ

ନୀପ ମୂଳେ ବସି ଦୂତୀ ଅନାଇଲେ ମୋତେ

ନେଲେ ସେ ପରାଣ ହରି କି କହିବି ତୋତେ

ଦୂତୀୟେ ଗୋ ।୨୦।

 

ଭାବାର୍ଥ- (୧୬-୨୦) ରେ ଦୂତି, ସେ ତ୍ରୈଲୋକମୋହନ, ତିନିଭୁବନ ମଧ୍ୟରେ ଶ୍ରେଷ୍ଠ । ତାଙ୍କ ମହିମା ଅପାର, ଦେବଗଣଙ୍କୁ ଅଗୋଚର । କେତେ ବନ ଅସୁରକୁ ସେ ବଧ କରିପକାଇଲେ । ଗୋପପୁରବାସୀଙ୍କୁ ରକ୍ଷା କଲେ । ସେ ଧୂରସ୍ଥିର, ଜାନୁ ପର୍ଯ୍ୟନ୍ତ ତାଙ୍କ ବାହୁ ଲମ୍ବିଛି । ବକାସୁରକୁ ବଧ କଲେ । ସ୍ତନରେ ବିଷ ଭର୍ତ୍ତି କରି ପୂତନା ରାକ୍ଷସୀ ତାଙ୍କୁ ମାରିବାକୁ ଆସିଥିଲା । କ୍ଷୀରପାନ ଛଳରେ ସେ ନଟନାଗର ରାକ୍ଷସୀର ପ୍ରାଣ ନାଶ କଲେ । ଦୂତି ଗୋ, ତାଙ୍କର ଦୁଇକର୍ଣ୍ଣରେ ମକର କୁଣ୍ଡଳ ଅତ୍ୟନ୍ତ ଶୋଭାମୟ ଦେଖାଯାଉଛି । ତୁଳସୀମାଳ ପାଦ ତଳ ଯାଏ ଲମ୍ବିଛି । ତାଙ୍କ ହୃଦଦେଶରେ ଥିବା ପଦକଟି ଦାଉ ଦାଉ ହୋଇ ଝଟକୁଛି । ମୁଖମଣ୍ଡଳ ଚନ୍ଦ୍ରମା ପରି ତେଜ ପ୍ରକାଶ କରୁଛି ।

 

ଦୂତ ଗୋ, ତାଙ୍କର ଅପୂର୍ବ ମହିମା କଥା ତୋତେ ବା କ’ଣ ଅଛପା ଅଛି ? ଧନୁକା କଥା ତ ଜାଣିଛୁ । ଯାହାଙ୍କୁ ପାଇବା ପାଇଁ ଯୋଗୀଜନମାନେ ଲକ୍ଷଲକ୍ଷ ବର୍ଷ ଧରି ଧାନ କରୁଛନ୍ତି, ତାଙ୍କୁ ଆମେ ଏତେ ସହଜରେ ପାଇଯିବା ? ଇନ୍ଦ୍ରଦେବତା ମନରେ ଗର୍ବ ବହି ତାଙ୍କ ସହିତ ଶତ୍ରୁତା କଲା । ସାତ ଦିନ ଯାଏଁ ଗୋପପୁରରେ ବର୍ଷା କଲା । ନନ୍ଦସୁତ କଳାକାହ୍ନ ମନ୍ଦିରଗିରିକୁ ହାତରେ ଧରି ଇନ୍ଦ୍ରଙ୍କ ଗର୍ବ ଗଂଜନ କଲେ । ଗୋପପୁରରେ ତାଙ୍କୁ ଶ୍ରଦ୍ଧାରେ ଗୋବିନ୍ଦ ବୋଲି ନାଁ ଦେଇ କୋଳେଇ ନେଲେ । ଦୂତ ଗୋ, ସେ ନାଗରୀମୋହନ, ନଟବର । ତାଙ୍କ ମହିମା କହିଲେ ସରିବନି । କଦମ୍ବ ମୂଳରେ ବସି ସେ ମୋତେ ଚାହିଁଲେ, ମୋର ମନେ ହେଲା, ମୋ ପ୍ରାଣଟାକୁ ଯେମିତି ହରଣ କରି ନେଇଯାଉଛନ୍ତି । ଦୂତ ଗୋ, ତୋତେ ବା ଅଧିକ କ’ଣ କହିବି ? ତୁ ତ ମୋର ନିଜର ।

 

ପତିତ ପାବନ ପ୍ରଭୁ ସେ ପରମାନନ୍ଦ

ପର ଅପର ନାହିଁ ତା ସ୍ୱରୂପେ ଗୋବିନ୍ଦ

ପତିତ ତାରିଣ ସେ ଯେ ହୁଅନ୍ତି ଆନନ୍ଦ

ପାପ ମୋର କ୍ଷୟେ ଗଲା ଭେଟିଲି ଗୋବିନ୍ଦ

ଦୂତୀୟେ ଗୋ ।୨୧।

 

ଫୁଲ ମାଳମାନ ଦୂତୀ ପାଉଅଛି ଶୋଭା

ଫୁଲେ ମଣ୍ଡି ଅଛି ଅଙ୍ଗ ଶିରେ ରଙ୍ଗ ଗଭା

ଫୁଲେ ଫୁଲେ ଶୋଭା ବର୍ଣ୍ଣ ପାଉଛି ଶ୍ରୀ ଅଙ୍ଗ

ଫାନ୍ଦରେ ପଡ଼ିଲି ଆଜ ଫେଡ଼ିବେ ଅନଙ୍ଗ

ଦୂତୀୟେ ଗୋ ।୨୨।

 

ବଡ଼ ହିଁ ମହିମା ଦୂତୀ ବୟସରେ ସାନ

ବଡ଼ ବଡ଼ ଦଇତଙ୍କୁ କଲେ ସେ ନିଧନ

ବାଳୁତ କାଳରୁ ବଳ ଜାଣି ଛଇଁ ତାର

ବାମ ପାଦେ ଶକଟା ଭାଞ୍ଜିଣ କଲେ ଚୂର ।

ଦୂତୀୟେ ଗୋ ।୨୩।

 

ଭକତ ବତ୍ସଳ ସେ ଗୋ ଭାରା ନିବାରଣ

ଭଜନ୍ତି ଭକତ ଜନ ଅଭୟ ଚରଣ

ଭକତି କରୁଛି ଦୂତୀ ଆଣି ଦେବୁ ମୋତେ

ଭୁଞ୍ଜାଇବି ଯେଉଁ ଧନ ଭାବନା ନିମନ୍ତେ

ଦୂତୀୟେ ଗୋ ।୨୪।

 

ମଦନ ମୋହନ ରୂପ ଶ୍ରୀ ନନ୍ଦ ନନ୍ଦନ

ମହ ମହ ବାସୁ ଅଛି ଫୁଲ ଯେ ଚନ୍ଦନ

ମୋହନ ମୁରଲୀ କରେ ମନ୍ଦ ମୃଦୁ ହସି

ମୂଚ୍ଛାଗତ ଗଲି କାଖୁ ଖସିଲା କଳସୀ

ଦୂତୀୟେ ଗୋ ।୨୫।

 

ଭାବାର୍ଥ- (୨୧-୨୫) ଦୃତି ଗୋ, ସିଏ ପ୍ରଭୁ ପତିତପାବନ, ପରମାନନ୍ଦ । ତାଙ୍କ ପାଖରେ ପର ଅପର ଭେଦଭାବ ନାହିଁ । ସାକ୍ଷାତରେ ସେ ଗୋବିନ୍ଦ । ପତିତମାନଙ୍କୁ ଉଦ୍ଧାର କରି ସେ ଆନନ୍ଦ ପାଆନ୍ତି । ତାଙ୍କୁ ଭେଟି ମୋର ପାପ କ୍ଷୟ ଗଲା । ଦୂତୀ ଗୋ, ତାଙ୍କ ଗଳାରେ ଫୁଲମାଳ ପଡ଼ି ଅତି ଶୋଭା ଦେଖାଯାଉଛି । ଶରୀରରେ ଫୁଲ ମଣ୍ଡି ହୋଇଛି । ମସ୍ତକ ଗଭାରେ ଫୁଲର ସମ୍ଭାର । ଫୁଲରେ ଫୁଲରେ ତାଙ୍କ ଶ୍ରୀଅଙ୍ଗ ଶୋଭା ପାଉଛି । ତାଙ୍କ ଫାନ୍ଦରେ ପଡ଼ିଛି । କନ୍ଦର୍ପ ମୋତେ ସେଥିରୁ ଉଦ୍ଧାର କରିବେ । ଦୂତୀ ଗୋ, ସେ ବୟସରେ ସାନ ହେଲେ କ’ଣ ହେଲା, ମହିମା ଅପାର । ବଡ଼ ବଡ଼ ଅସୁରଙ୍କୁ ବିନାଶ କରିଛନ୍ତି । ବାଳୁତ କାଳରୁ ତାଙ୍କ ବଳ କେତେ ମୁଁ ଜାଣିଛି । ପିଲାବେଳେ ବାମ ଗୋଡ଼ରେ ଶଗଡ଼କୁ ଭାଙ୍ଗି ଚୂର୍ଣ୍ଣ କରିଦେଇଥିଲେ ।

 

ଦୂତ ଗୋ, ସେ ଭକ୍ତର ବତ୍ସଳ, ପୃଥିବୀର ଭାରାନିବାରଣ ପାଇଁ ଏଠାରେ ଜନ୍ମ ନେଇଛନ୍ତି । ଭକ୍ତମାନେ ତାଙ୍କ ଅଭୟ ଚରଣ ତଳେ ଭଜନ କରୁଛନ୍ତି । ମୁଁ ତୋତେ ବିନତି ଜଣାଉଛି, ତାଙ୍କୁ ମୋ ପାଖକୁ ଆଣ । ତାଙ୍କୁ ପାଇଲେ ସଂସାରର ସବୁ ଧନ ମୋତେ ମିଳିଯିବ । ମଦନମୋହନ ସେ, ଅନିନ୍ଦ୍ୟ ରୂପ ତାଙ୍କର । ସେଇ ନନ୍ଦନନ୍ଦନଙ୍କ ଶରୀରରେ ଫୁଲ ଚନ୍ଦନର ସୁବାସ ମହ ମହ ବାସୁଛି, ହାତରେ ମୁରଲୀ ଧରି ମନ୍ଦ ମନ୍ଦ ଯେତେବେଳେ ହସନ୍ତି, ମୋ ଛାତିଟା ଫାଟି ଯାଉଛି । ମୂର୍ଚ୍ଛା ଗଲି । କାଖରୁ କଳସ ଖସିଗଲା ।

 

ଯେବଣ ଦିନରୁ ଦୂତୀ ଯଶୋଦା ଜାତ କଲା

ଜଗତ ଜନମାନଙ୍କ ପାପ କ୍ଷୟେ ଗଲା

ଯାହାର ମହିମା ସଖୀ ଦେବେ ଅଗୋଚର

ଜୟେ କରି ମାରନ୍ତି ସେ ଅନେକ ଅସୁର

ଦୂତୀୟେ ଗୋ ।୨୬।

 

ରାଧା ରାଧା ବୋଲି ଦୂତୀ ବାଉ ଅଛି ବେଣୁ

ରସିଲା ମଦନ କଥା ଘାରିଲା ମୋ ତନୁ

ରହି ନ ପାରଇ ମୁଁ ଯେ ଲୋକଙ୍କର ଲାଜେ

ରହିବ ମରମ କଥା ମରମର ମାଝେ

ଦୂତୀୟେ ଗୋ ।୨୭।

 

ଲମ୍ବିତ ହେଉଛି ଦୂତୀ ଶ୍ରୀକୃଷ୍ଣର ଆଗେ

ଲହୁଲୀ ଯଉବନ ମୋର ଲାଗିବ ଶ୍ରୀ ଅଙ୍ଗେ

ଲଜ୍ଜା ଛାଡ଼ିଣ ଦୂତୀ କହୁଅଛି ତୋତେ

ଲେବୁ ତୁ ଗଳାରୁ ହାର ଦେବଇଁ ତୁରିତେ

ଦୂତୀୟେ ଗୋ ।୨୮।

 

ବିଚାରିଣ କହ ସଖୀ ଯେ ତୋର ମନକୁ

ବୋଇଲେଣ ଯିବି ଆଜ ନିକୁଞ୍ଜ ବନକୁ

ବାଳୁତ କାଳରୁ ବଳ ଜାଣଇତ ମୁହିଁ

ବାହୁ ବଳେ କଂସକୁ କୀଟ ପ୍ରାୟେ ମଣଇ

ଦୂତୀୟେ ଗୋ ।୨୯।

 

ଭାବାର୍ଥ- (୨୬-୨୯) ଦୂତୀ ଗୋ, ଜନ୍ମ ହେଲାଠୁଁ ହିଁ ସେ ଲୋକଙ୍କ ପାପ । ଦର କରିବାରେ ଲାଗିଛନ୍ତି । ତାଙ୍କର ମହିମାକୁ କିଏ ବା କଳନା କରିପାରିବ ? ଦେବତାଙ୍କୁ ତାହା ଅଗୋଚର । ରାଧା, ରାଧା ବୋଲି ସର୍ବଦା ବେଣୁବାଦନ କରୁଛନ୍ତି । ତାଙ୍କ କନ୍ଦର୍ପ ରୂପ ଦେଖି ମୋ ଶରୀର ଘାରି ହେଉଛି । ଲୋକ ଲଜ୍ଜାରେ ରହିପାରୁ ନାହିଁ । ମରମର କଥା ମରମ ଭିତରେ ହିଁ ରହିଯାଉଛି । ଦୂତୀଗୋ, ଶ୍ରୀକୃଷ୍ଣଙ୍କ ଆଗରେ ଲମ୍ବରେ ପଡ଼ିଯିବି ଭାବୁଛି । ଫଳରେ ମୋର ନହୁଲୀ ଯୌବନ ତାଙ୍କର ଶ୍ରୀଅଙ୍ଗରେ ଲାଗିବ । ରେ ଦୂତି, ଲଜ୍ଜା ଛାଡ଼ି ତୋତେ କହୁଛି, ମୋ ଗଳାରୁ ହାର ନେଇ ତୁ ତାଙ୍କୁ ତୁରନ୍ତ ଦିଅ ।

 

ରେ ସଖି, ତୁ ତୋର ମନ ଭିତରେ ଭଲ କରି ବିଚାର କରି କହିବୁ, ସେ ଯଦି କହିବେ ମୁଁ ଆଜି ନିକୁଞ୍ଜ ବନକୁ ଯିବି । ତାଙ୍କୁ ଭେଟିବି । ବାଳୁତ କାଳରୁ ତାଙ୍କ ପାଖରେ ବଳ ଥିବା ମୁଁ ଜାଣେ । ନହେଲେ ବାହୁ ବଳରେ ମହାପ୍ରତାପୀ କଂସକୁ କୀଟପ୍ରାୟ ମନ୍ଥି ଦେଇଥାଆନ୍ତେ କି ?

 

ସଂସାର ସାଗର ଗୋ ଦୂତୀ ଏ ସୁଖ ସାର

ସଂସାରରେ ଦେଖିନାହିଁ ଏମନ୍ତ ସୁନ୍ଦର

ଶରଧା ବଳିଲା ମୋର ଶ୍ରୀମୁଖକୁ ଦେଖି

ସାଧୁ ଜନମାନ ସବୁ ଶରଣ ଛନ୍ତି ଟେକି

ଦୂତୀୟେ ଗୋ ।୩୦।

 

ସବୁ ଲକ୍ଷଣ ଗୋ ଦୂତୀ ଶ୍ରୀ ଅଙ୍ଗେ ଅଛି ପୂରି

ଶରଦ ପୂର୍ଣ୍ଣମୀ ଯେହ୍ନେ ରଜନୀ ଆଲୋକ କରି

ସୂର୍ଯ୍ୟ ଉଦେ ହେଲେ ଯେହ୍ନେ ହୁଅଇ ଦିବସ

ସେହିମତି ଶୋଭା ପାଉଛନ୍ତି ହୃଷୀକେଶ

ଦୂତୀୟେ ଗୋ ।୩୧।

 

ଶ୍ୟାମ ସୁନ୍ଦର ରୂପ ତ୍ରିଭୁବନେ ଶୋଭା

ସର୍ବ ପୁର ନାରୀ ଗଣେ ରୂପ ଗୁଣେ ଲୋଭା

ଶତ କୋଟି ଚନ୍ଦ୍ର ଜିଣି ଶ୍ରୀ ମୁଖ ଉଜ୍ଜ୍ୱଳ

ଶୀଘ୍ର ହୋଇ ଘେନିଆସ ଯାଇ ନନ୍ଦ ବାଳ

ଦୂତୀୟେ ଗୋ ।୩୨।

 

ହରଷ ହୋଇଣ ଦୂତୀ ଗଲାକ ଚଳାଇ

ହରିଙ୍କି ନିକୁଞ୍ଜ ବନ ଆଣିଲା ମଣାଇ

ହରି ହେଲେ ଭେଟା ଭେଟି ରାଧିକା ସଙ୍ଗର

ହରଷ ହୋଇଲେ ରାଧା ପଲଙ୍କ ଉପର

ଦୂତୀୟେ ଗୋ ।୩୩।

 

ଛ ଛନ୍ଦେ ଛାଡ଼ିଲା ଅଙ୍ଗୁ ଅନଙ୍ଗର ବାଧା

ଛ ଛନ୍ଦେ ଶ୍ରୀକୃଷ୍ଣ ରତି କଲେଟି ଶରଧା

ଛ ଛନ୍ଦେ ଗାଇଲା କବି ସଦାନନ୍ଦ ରସି

ଛ ଛନ୍ଦେ ଶ୍ରୀରାଧା କୃଷ୍ଣ ପୀରତିରେ ଭାସି

ଦୂତୀୟେ ଗୋ ।୩୪।

 

ଭାବାର୍ଥ- (୩୦-୩୪) ଦୂତି ଗୋ, ତାଙ୍କଭଳି ସୁନ୍ଦର ପୁରୁଷ ସଂସାର ମଧ୍ୟରେ କେହି ନାହାନ୍ତି । ସଂସାର ସାଗର ମଧ୍ୟରେ ସେ ସୁଖର ବୋଇତ । ତାଙ୍କ ଶ୍ରୀମୁଖକୁ ଦେଖି ମୋର ଶରଧା ବଳିଛି । ସାଧୁଜନମାନେ କୃଷ୍ଣଙ୍କ ପାଖରେ ଶରଣ ପଶୁଛନ୍ତି । ପ୍ରଭୁଙ୍କ ଶ୍ରୀଅଙ୍ଗରେ ସମସ୍ତ ଉତ୍ତମ ଲକ୍ଷଣ ପୂରି ରହିଛି । ଶରଦ ପୂର୍ଣ୍ଣମୀର ଜହ୍ନ ଆଉ ଉଦିତ ସୂର୍ଯ୍ୟର ଆଲୋକ ପରି ତାଙ୍କର ତେଜ ଶୋଭା ପ୍ରକାଶ କରୁଛି । ଚନ୍ଦ୍ରସୂର୍ଯ୍ୟ ଆଲୋକରେ ହୃଷୀକେଶଙ୍କ ଶରୀର ଝଟକି ଉଠୁଛି । ଦୂତି ଗୋ, ମୁରଲୀଧାରୀ କୃଷ୍ଣଙ୍କ ଅପୂର୍ବ ରୂପଲାବଣ୍ୟ, ଶ୍ୟାମସୁନ୍ଦର ରୂପ ତିନି ଭୁବନ ଲୋକଙ୍କ ମନକୁ ମୋହୁଛି । ତାଙ୍କ ରୂପଗୁଣରେ ସବୁପୁରର ନାରୀମାନେ ବଶୀଭୂତା ହୋଇଛନ୍ତି । କୃଷ୍ଣଙ୍କ ମୁଖର ଉଜ୍ଜ୍ୱଳତା ଜାତକୋଟି ଚନ୍ଦ୍ରର ଆଲୋକକୁ ବଳିଯାଇଛି । ଦୂତି ଗୋ, ଶୀଘ୍ର ଯାଇ ନନ୍ଦସୁତଙ୍କୁ ମୋ ପାଖକୁ ନେଇ ଆସ ।

 

ରାଧାଙ୍କ ଅନୁରୋଧ ରକ୍ଷା କରି ଦୂତୀ ଶୀଘ୍ର ଯାଇ କୃଷ୍ଣଙ୍କ ପାଖରେ ପହଞ୍ଚିଲା । ତାଙ୍କୁ ମନାଇ ନିକୁଞ୍ଜ ବନକୁ ଆଣିଲା । ସେଠାରେ ରାଧା-କୃଷ୍ଣଙ୍କ ମିଳନ ଘଟିଲା । ପଲଙ୍କ ଉପରେ ବସି ରାଧିକା ଆନନ୍ଦିତା ହେଲେ । ଉଭୟଙ୍କ ଅଙ୍ଗରୁ ଅନଙ୍ଗର ବାଧା ଦୂର ହେଲା । ଶ୍ରଦ୍ଧାର ସହିତ ଶ୍ରୀକୃଷ୍ଣ ଶ୍ରୀରାଧାଙ୍କ ରତିରସରେ ବୁଡ଼ିଗଲେ । ପ୍ରଭୁ ଶ୍ରୀକୃଷ୍ଣ-ଶ୍ରୀରାଧାଙ୍କ ପରମ ପ୍ରୀତି ରସରେ ଭାସି କବି ସଦାନନ୍ଦ ଏ ଗୀତକୁ ରଚନା କଲେ ।