ବା ଚଉତିଶା

ବା ଚଉତିଶା

ଲୋକନାଥ

 

(ଦ୍ଵାପର ଯୁଗ ଶେଷରେ ‘କଳିଯୁଗ’ର ଆଗମନ ଘଟିଛି । ଯୁଗ ସଙ୍ଗରେ ମଣିଷର ସାମାଜିକ ଜୀବନରେ ପରିବର୍ତ୍ତନ ଘଟିଛି । ଅନ୍ୟାୟ, ଅନୀତି, ଅନାଚାର ବଢ଼ିଛି । ସ୍ନେହ, ଶ୍ରଦ୍ଧା ଭକ୍ତି ଭାବ ଉଭେଇ ଯାଇଛି । ହିଂସା, ଦ୍ୱେଷ, ପରଶ୍ରୀକାତରତା ବୃଦ୍ଧି ପାଇଛି । କଳିଯୁଗ ମଣିଷର ଅବସ୍ଥା, ଚଳଣି ସଂପର୍କରେ ଯୁଧିଷ୍ଠିର ସହଦେବଙ୍କୁ ପ୍ରଶ୍ନ କରିଛନ୍ତି ଓ ସହଦେବ ତା’ର ଉତ୍ତର ରଖିଛନ୍ତି ଏହି ‘ବା ଚଉତିଶା’ରେ । ଚଉତିଶାର କବିଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ଭଣତିରେ ସେ କେବଳ ନିଜକୁ ‘ଛାର ଲୋକା’ ଭାବରେ ପରିଣତ କରାଇଛନ୍ତି । ଓଡ଼ିଆ ସାହିତ୍ୟରେ ଅନେକ ‘ଲୋକ’ ବା ଲୋକନାଥଙ୍କୁ ଦେଖୁଁ । ଲୋକନାଥ ଧୀବର, ଲୋକନାଥ ପଟ୍ଟନାୟକ, ଲୋକନାଥ ନୀଳମଣି, ଲୋକନାଥ ବୀରବର, ଲୋକନାଥ ଭାଗୀରଥି, ଲୋକନାଥ ବିଦ୍ୟାଧର । ଲୋକନାଥ ବିଦ୍ୟାଧର ୧୭ଶ ଶତାବ୍ଦୀର କବି- ଜଣେ ବିଶିଷ୍ଟ କବି । ତାଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ଅଷ୍ଟାଦଶ ଶତାବ୍ଦୀର । ଲୋକନାଥ ଧୀବର ‘ରସକଦମ୍ବ ଚଉତିଶା’ର ରଚୟିତା । ଲୋକନାଥ ପଟ୍ଟନାୟକଙ୍କ ‘ଅନୁଚିନ୍ତା ଚଉତିଶା’ ଓ ‘ଜ୍ଞାନ ଚଉତିଶା’ ରହିଛି । ଲୋକନାଥ ଭାଗୀରଥି ‘ଭୃଙ୍ଗଦୂତ ଚଉତିଶା’ର ରଚୟିତା । ଲୋକନାଥ ନୀଳମଣି କେବଳ କେତେକ ପ୍ରେମଭକ୍ତିଧର୍ମୀ କବିତାର ସ୍ରଷ୍ଟା । ଚଉତିଶାଟି ଭାବପୂର୍ଣ୍ଣ ଓ ସାମାଜିକତାର ବାସ୍ତବ ତତ୍ତ୍ୱ ଉପରେ ଆଧାରିତ ହୋଇଥିବାରୁ ଆମେ ଏଠାରେ ଉପସ୍ଥାପନ କରିଛୁ ।)

 

 

କହନ୍ତି ଯୁଜେଷ୍ଠି ସହଦେବ ରାଇ ଶୁଣ ତୁମ୍ଭେ ମନ୍ତ୍ରୀବର

କଳିଯୁଗରେ ଯେ ଦେବତା ବ୍ରାହ୍ମଣ କେମନ୍ତ ଅଟେ ଆଚାର ବା

କହ କଳିଯୁଗ କଥା

କହି ଫେଡ଼ ହୃଦୁ ମନୁ ବ୍ୟଥା ବା ।୧।

 

ଖଡ଼ି ଧରିଣ ସହଦେବ ବୋଲନ୍ତି ଶୁଣ ତୁମ୍ଭେ ନୃପବର

କ୍ଷଣେ ରାଜା ପରଜାଙ୍କୁ ଦୟା ନୋହିବ ବହିଣ ନେବେ ସକଳ ବା

ଖନ୍ଦ ଥାଉଁ ସାଧୁଥିବେ କର

କ୍ଷଣେ ପରଜା ହେବେ ବାହାର ବା ।୨।

 

ଗାରଡ଼ି ମନ୍ତର ପଢ଼ିବେ ବ୍ରାହ୍ମଣେ ଗାୟତ୍ରୀ ମନ୍ତ୍ରକୁ ଛାଡ଼ି

ଗଉଡ଼ମାନେ ବୈଷ୍ଣବ ବୋଲାଇବେ ଗାଈ ପେଟରୁ ବାଛୁରୀ କାଢ଼ି ବା

ଗୁରୁ ନ ମାନିବେ ଆଉ ଶିଷ୍ୟ

ଗୁରସ୍ତଙ୍କୁ ନାରୀ ଦେବେ ବିଷ ବା ।୩।

 

ଘରେ ଘରେ ସବୁ ମିଛ ଉପୁଜିବ କେହି ନ କହିବେ ସତ

ଘେନିବେ ବ୍ରାହ୍ମଣେ ମୃତ୍ୟୁଶବଦାନ ନେଚ ଲୋକକୁ ପାତିବେ ହାଥ ବା

ଘୃତ ନ ଦେବେଟି ଅଗ୍ନିମୁଖ

ଘରେ ଘରେ ମାଗୁଥିବେ ଭିକ ବା ।୪।

ନେଚ ଲୋକମାନେ ଉଚ୍ଚରେ ଉଠିବେ କଉଡ଼ିରେ କରି ପ୍ରୀତି

ନେଚ ଉଚ୍ଚ ନୁହେଁ ସରିସମ ହେବେ ନ କରିବେ ଭୟ ଭ୍ରାନ୍ତି ବା

ନିଜ ଭ୍ରାଥାକୁ ଛାଡ଼ିବେ ନାରୀ

ନିଆଁ ଗିଳିବେ ସାହସ କରି ବା ।୫।

 

ଭାବାର୍ଥ- (୧-୫) ପଞ୍ଚପାଣ୍ଡବଙ୍କ ମଧ୍ୟରେ ଜ୍ୟେଷ୍ଠଭ୍ରାତ ଯୁଧିଷ୍ଠିର । କନିଷ୍ଠ ଭାତ ସହଦେବ ‘ସହଦେବ ମନ୍ତ୍ରୀ’ ଭାବେ ପରିଚିତ । ସେ ଭୂତ, ଭବିଷ୍ୟତ କଥା ସବୁ ଜାଣନ୍ତି । ଯୁଧିଷ୍ଠିରଙ୍କ ରାଜତ୍ଵ ସମୟରେ କଳିଯୁଗର ଆଗମନ ପ୍ରାୟ । ଯୁଗର ରୀତିନୀତି, ବ୍ରାହ୍ମଣମାନଙ୍କ ଆଚାର, ମନୁଷ୍ୟର ବ୍ୟବହାର ସଂପର୍କରେ ଯୁଧିଷ୍ଠିର, ସହଦେବଙ୍କୁ ପଚାରିଛନ୍ତି- ହେ ମନ୍ତ୍ରୀବର, କଳିଯୁଗର କଥା ବର୍ଣ୍ଣନା କର । ଦେବତା, ବ୍ରାହ୍ମଣଙ୍କ ଆଚାର କିପରି ହେବ ? ଏହା ଶୁଣିଲେ ମନ ମଧ୍ୟରୁ ବ୍ୟଥାଦୂର ହେବ । ଖଡ଼ିପାଞ୍ଜିଧରି ସହଦେବ ଗଣନା କରି କହିଲେ- ହେ ନୃପବର, ଏ ଯୁଗରେ ରାଜାମାନେ ଲେଶମାତ୍ର ପ୍ରଜାମାନଙ୍କ ପ୍ରତି ଦୟାଶୀଳ ହେବେ ନାହିଁ । ଓଲଟି ପ୍ରଜାଙ୍କ ସକଳ ପଦାର୍ଥ ଲୁଟି ନେବେ । ଫସଲ ନ ଥିଲେ ମଧ୍ୟ ପ୍ରଜାମାନେ କର ବାନ୍ଧୁଥିବେ । ସେମାନେ ନିଃସ୍ୱ ହୋଇଯିବେ । ବ୍ରାହ୍ମଣମାନେ ପବିତ୍ର ଗାୟତ୍ରୀ ମନ୍ତ୍ରକୁ ଛାଡ଼ି ଗୁଣିଗାରେଡ଼ି ମନ୍ତ୍ରରେ ମନ ଦେବେ । ଗଉଡ଼ମାନେ ଗାଈ ବାଛୁରୀକୁ ଭୁଲି ବୈଷ୍ଣବ ବୋଲାଇବେ । ଗୁରୁ-ଶିଷ୍ୟ ସମ୍ପର୍କରେ ସର୍ବଦା ତିକ୍ତତା ଆସିବ । ଶିଷ୍ୟମାନେ ଗୁରୁଙ୍କୁ ଆଉ ମାନିବେ ନାହିଁ । ସ୍ତ୍ରୀମାନେ ନିଜର ସ୍ୱାମୀଙ୍କୁ ବିଷ ଖୁଆଇଦେବେ ।

 

ହେ ନରପତି, କଳିଯୁଗରେ ଘରେ ଘରେ ସମସ୍ତେ ମିଛ କହିବେ । କେହି ସତ କଥା କହିବେ ନାହିଁ । ବ୍ରାହ୍ମଣମାନେ ମୃତ୍ୟୁ ଶବକୁ ଦାନଭାବେ ଗ୍ରହଣ କରିବେ । ଛୋଟଲୋକ ପାଖରେ ହାତ ପାତିବେ । ଅଗ୍ନିରେ ଘୃତ ଢାଳିବେ ନାହିଁ । ଘର ଘର ବୁଲି ଭିକ ମାଗୁଥିବେ । ନୀଚ ଲୋକମାନେ ଟଙ୍କା ପଇସା ପଛରେ ପଡ଼ି ଉଚ୍ଚକୁ ଉଠିବେ । କଳିଯୁଗରେ ଉଚ୍ଚନୀଚ ଦୁହେଁ ସମାନ ହେବେ । କାହାରି ପାଖରେ ଲାଜ, ଭୟ, ଭ୍ରାନ୍ତି ରହିବ ନାହିଁ, ନିଜ ସ୍ତ୍ରୀକୁ ଭାଇ ପାଖରେ ଛାଡ଼ିଦେବେ । ଦୁଃସାହସ କାର୍ଯ୍ୟମାନ କରିବେ ।

 

ଚିତା ପଇତା ତମ୍ବାଗଡ଼ୁ ଛତା ଚାରିବେଦ ଅଧିକାରୀ

ଚଉତରାୟେ ଚଉଧୁରୀ ହୋଇବେ ମଦ୍ୟପଙ୍କ ସଙ୍ଗେ ସରି ବା

ଚିତ୍ତେ ନୋହିବ ଯେ ଭୟ ଭ୍ରାନ୍ତି

ଚଣ୍ଡାଳ ବ୍ରାହ୍ମଣ ସଙ୍ଗେ ପ୍ରୀତି ବା ।୬।

 

ଛତ୍ତ୍ରି ଲୋକମାନେ ସଂଗ୍ରାମକୁ ଯାଇ ଜୀବକୁ କରିବେ ଆଶ

ଛଛନ୍ଦେ ରଣେ ବଇକୁଣ୍ଠ ପ୍ରାପତ ଛାଡ଼ି ପଳାଇବେ ରଣ ଯଶ ବା

ଛଳେ ନୋହିବେ କେ ଛତ୍ତ୍ରିପଣ

ଛତ୍ତ୍ର ହୋଇଣ ଛାଡ଼ିବେ ରଣ ବା ।୭।

 

ଜାତି ଅଜାତି ଏକାକାର ହୋଇବ ଘରେ ଘରେ ହେବ ଭାଟି

ଜଉତିଷମାନେ ଲଗ୍ନ ନ ଜାଣିବେ ଜଳ ଅକାଳେ କରିବେ ବୃଷ୍ଟି ବା

ଜୀବଜନ୍ତୁରେ ନ ଥିବ ଦୟା

ଜଗନ୍ନାଥେ କରିଛନ୍ତି ମାୟା ବା ।୮।

 

ଝିଅ ବିଭାକରି କଉଡ଼ି ଘେନିଲେ ତହିଁ ନ ସରିବ ଦିନ

ଝିଅର କଉଡ଼ି ଝିଅ ଘେନିଯିବ ସଂସାରେ ବୋଲିବେ ହୀନ ବା

ଝଳି ସୁବର୍ଣ୍ଣ ଦିଶେ ଯେସନ

ଝିଅ ନ ଦେବେଟି କନ୍ୟାଦାନ ବା ।୯।

 

ନିସତ ହୋଇବେ ନିୟମ କରିବେ କେହି ନ କହିବେ ସତ

ନବଯୁବା ସ୍ତିରୀ ଘରେ ଥାଉ ଥାଉ ବିଟପୀ ସ୍ତିରୀକି ଚିତ୍ତ ବା

ନ କରିବେ ବୁଝାମଣା ରାଜା

ନିଶ୍ଚେ ମରିବେ ଗୋ ଜନ୍ତୁ ପ୍ରଜା ବା ।୧୦।

 

ଭାବାର୍ଥ- (୬-୧୦) ବ୍ରାହ୍ମଣମାନେ ମଦ୍ୟପଙ୍କ ସଙ୍ଗରେ ସମାନ ହେବେ । ଚଣ୍ଡାଳ ସଙ୍ଗେ ବ୍ରାହ୍ମଣର ପ୍ରୀତି ବଢ଼ିବ । ମଦ୍ୟପ, ଚଣ୍ଡାଳ ମନରୁ ଭୟଭ୍ରାନ୍ତି ହଟିଯିବ । କ୍ଷତ୍ରିୟମାନେ ଯୁଦ୍ଧ ଭୂଇଁରେ ପ୍ରାଣ ବିସର୍ଜନକୁ ଯଶ ପ୍ରାପ୍ତି ବା ବୀରତ୍ୱ ପ୍ରାପ୍ତ ଭାବିବେ ନାହିଁ । ଯୁଦ୍ଧ କ୍ଷେତ୍ର ଛାଡ଼ି ପଳାଇବେ । ଯୁଦ୍ଧ ଭୂମିରେ ନିଜେ ବଞ୍ଚିରହିବାଟାକୁ ଆଶା କରିବେ । ତାଙ୍କ ପାଖରେ କ୍ଷତ୍ରିୟ ପଣ ରହିବ ନାହିଁ । ଏ ଯୁଗରେ ଜାତି ପ୍ରଥା ରହିବ ନାହିଁ । ଜାତି-ଅଜାତି ଏକାକାର ହେବେ । ଘରେ ଘରେ ମଦଭାଟି ରହିବ । ଜ୍ୟୋତିଷମାନେ ଠିକ୍ ଭାବରେ ତିଥିଲଗ୍ନ ନିରୂପଣ କରିପାରିବେ ନାହିଁ । ଅକାଳରେ ବୃଷ୍ଟିପାତ ହେବ । ଜୀବଜନ୍ତୁ ପ୍ରତି କାହାରି ମନରେ ଦୟା ଭାବ ରହିବ ନାହିଁ । ସବୁ ପ୍ରଭୁଙ୍କର ମାୟା । ଝିଅକୁ ବିଭାକରି କନ୍ୟାସୁନା ଅର୍ଥ ଆଣିବେ । ତାହା ପୁଣି ଝିଅ ନେଇଯିବ । ଲୋକେ ଅତ୍ୟନ୍ତ ହୀନ କାର୍ଯ୍ୟ କରିବେ । କନ୍ୟାଦାନ ଭଳି ପବିତ୍ର କାର୍ଯ୍ୟ ନ କରି ଅର୍ଥ ପିପାସୁ ହେବେ ।

 

ନିୟମ, ରାଣ ପକାଇବେ ମାତ୍ର କେହି ସତ କହିବେ ନାହିଁ । ମିଥ୍ୟାବାଦୀ ହେବେ । ପୁରୁଷମାନେ ଲମ୍ପଟ ହୋଇ ଘରେ ଯୁବା ସ୍ତ୍ରୀ ଥିଲେ ମଧ୍ୟ ବିଟପୀ ସ୍ତ୍ରୀ ପ୍ରତି ଆସକ୍ତ ହେବେ । ପ୍ରଜା, ଗାଈ, ଗୋରୁଙ୍କ କଥା ରଜା ବୁଝିବେ ନାହିଁ । କିଏ ମରୁ ବା ବଞ୍ଚୁ, ସେଥିରେ ରଜାଙ୍କର ଯାଏ ଆସେ କେତେ ?

 

ଟାହି କରିବେ ଶୂଦ୍ର ଯେ ବ୍ରାହ୍ମଣଙ୍କୁ ଟେକିଛି ଯେଉଁ ଶାହାସ୍ତ୍ର

ଟଙ୍କାଟିକୁ ଧାନ ଭରଣେ ହୋଇବ ନ ମିଳିବ ଅନ୍ନ ବସ୍ତ୍ର ବା

ଟେକି କହକିନା ଧର୍ମରାୟେ

ଟେକିଅଛି ଯେଉଁ ଦେବତାଏ ବା ।୧୧।

 

ଠାକୁର ଯୁଜେଷ୍ଠି କର୍ଣ୍ଣ ଛୁଇଁ ଉଠି କି ବୋଇଲୁ ବାପ ଭାଇ

ଠାକୁର ପଣ ପଛେ ନୋହିବ କଳିଯୁଗେ କାର୍ଯ୍ୟ ନାହିଁ ବା

ଠିକେ କହସି ମୋର ଆଗର

ଠାକୁର ପଣ ପଛେ ହୋଉ ଦୂର ବା ।୧୨।

 

 

ଡରିବେ ନାହିଁ ବୋହୂମାନେ ଶାଶୂଙ୍କୁ ଅନ୍ୟାଚାରେ ଦେବେ ଗାଳି

ଡଙ୍କୁଣୀ ଡାହାଣୀ ବାଦେ ଲାଗିଥାଇ ଘରେ କରୁଥାଇ କଳି ବା

ଡର ନୋହିବ ପିତାମାତାଙ୍କୁ

ଡେଇଁ ଯିବେଟି ଶିଷ୍ୟ ଗୁରୁଙ୍କୁ ବା ।୧୩।

 

ଢାଳେହେଁ ବ୍ରାହ୍ମଣେ ସନ୍ଧ୍ୟା ନ କରିବେ ଅବିଦ୍ୟା ପାଠ ପଢ଼ିବେ

ତମ କହୁଥିବେ ରାନ୍ଧୁଣିଆ ପଣେ ଶୂଦ୍ରଙ୍କ ସଙ୍ଗେ ବସିବେ ବା

ଢାଳେ ପାଣି ଝରି ଘେନି ଛତା

ଢମେ ବୋଲେ ରାଜା ନମହତା ।୧୪।

 

ଅହଙ୍କାର ମନୁ ଦଣ୍ଡେହେଁ ନ ଯିବ ନିରନ୍ତରେ ମନେ ଦୁଃଖ

ଆପଣା ସ୍ତିରୀକୁ ପର ନେଉଥିବ ଚାହୁଁ ଥିବେ ତାର ମୁଖ ବା

ଅଣ ଅପ୍ରାଧ ହୋଇବେ ନାରୀ

ଅଣ ଆୟତ୍ତ ନୋହେ କାହାରି ବା ।୧୫।

 

ଭାବାର୍ଥ- (୧୧-୧୫) ଶୁଦ୍ରମାନେ ବ୍ରାହ୍ମଣମାନଙ୍କୁ ଟାହି ଟାପରା କରିବେ । ଲୋକଙ୍କୁ ଖାଇବା ପାଇଁ ଅନ୍ନ, ବସ୍ତ୍ର ମିଳିବନି । ଧର୍ମ, ଦେବତା ଲୋକେ କ’ଣ ବୁଝିବେନି । ସମସ୍ତେ ‘ଖାଇବି’ ‘ଖାଇବି’ ହେବେ । ଏହା ଶୁଣି ରାଜା ଯୁଧିଷ୍ଠିର ତାଟକା ହୋଇଗଲେ । ସେ କହିଲେ, ଏ କଳିଯୁଗରେ ଠାକୁର ପଣ ଦରକାର ନାହିଁ । ରଜା ପଣ ପଛେ ଯାଉ, ଏ ଯୁଗରେ ରାଜପଦ ଗ୍ରହଣ କରିବି ନାହିଁ ।

 

ସହଦେବ ପୁଣି କହିଲେ- ହେ ରାଜନ, କଳିଯୁଗରେ ବୋହୂମାନେ ଶାଶୁଙ୍କୁ ଭାରିବେ ନାହିଁ । ଓଲଟି ତାଙ୍କୁ ଗାଳି ଦେବେ । ପୁଅଝିଅମାନେ ପିତାମାତାଙ୍କୁ ଭୟ, ଭକ୍ତି ଦେଖାଇବେ ନାହିଁ । ଗୁରୁଙ୍କୁ ଶିଷ୍ୟ ବେଖାତିର କରିବ । ବ୍ରାହ୍ମଣମାନେ ସନ୍ଧ୍ୟାତର୍ପଣ ଭୁଲି ଅଯଥା କାର୍ଯ୍ୟରେ ମନ ବଳାଇବେ, ଅବିଦ୍ୟାପାଠ ପଢ଼ିବେ । ଆଣ୍ଟ କରି କଥା କହୁଥିବେ, ଏଣେ ଶୂଦ୍ରଙ୍କ ସଙ୍ଗେ ବସାଉଠା କରିବେ । ଲୋକଙ୍କ ମନରୁ କ୍ଷଣିକ ପାଇଁ ମଧ୍ୟ ଅହଙ୍କାର ଯିବ ନାହିଁ । ସମସ୍ତେ ସଦାସର୍ବଦା ମନଦୁଃଖରେ ରହିବେ । ନିଜ ସ୍ତ୍ରୀକୁ ପରଲୋକ ନେଉଥିବ, ନାରୀମାନେ ଲାଜ ଛାଡ଼ିଦେବେ । କାହାରି ଆୟତ୍ତରେ ରହିବେ ନାହିଁ ।

 

ତିନି ତିନି ନର ଏକା ଯୁବତୀର ଲାଜକୁ ନ ଥାଇ ଡର

ତିନି ଛାଡ଼ି ଚାରି ଗୁରସ୍ତ ହୋଇଲେ ପୁଣି ଦ୍ୱିତୀୟ ସ୍ୱୟଂବର ବା

ସ୍ତିରୀ ନ ମାନିମେ ପୁରୁଷଙ୍କୁ

ଚାରି ଗୁରସ୍ତ ଏକା ଜଣଙ୍କୁ ବା ।୧୬।

 

ଥୋଇଲା ମାଇପ ଘର ଯେ କରିବେ ବ୍ୟାହି ମାଇପକୁ ଛାଡ଼ି

ଥାନି ଲୋକମାନେ ଥାନ ଛାଡ଼ିଯିବେ ବିଥାନୀ ବସିବେ ମାନି ବା

ଥୟେ ନୋହିବ କାହାରି ବୁଦ୍ଧି

ଥେଣ୍ଟ ଗଣ୍ଠିଆ ଖାଇବେ ରୁଦ୍ଧି ବା ।୧୭।

 

ଦିଅର ଭାଉଜ ଘର ଯେ କରିବେ ଗୁରସ୍ତ ହେବ ପୋଇଲା

ଦାଉଣ୍ଡି ବଳଦ ମୁହଁ ବାନ୍ଧିଥିବେ, ବ୍ରାହ୍ମଣେ କରିବେ ମାୟା ବା

ଦିନ ନସରେ ଦିନ ମୂଲିଆ

ଦୁଇ ପହରକୁ ଠିଆ ଠିଆ ବା ।୧୮।

 

ଧର୍ମ ଲୋକମାନେ ଅଧର୍ମକୁ ଯିବେ କାହାଣକେ ନେବେ ପଣେ

ଧର୍ମ ତହିଁ ଅଛି ଅଢ଼ାଇ ବୋଡ଼ିକି ସମସ୍ତେ ତ ଜଣେ ଜଣେ ବା

ଧରି ନେବେଟି ରିକିଣି ଟଙ୍କା

ଧର୍ମ କାହାକୁ ନୋହିବ ସଖା ବା ।୧୯।

 

ନ ଶୁଣିବେ ରାଜା ପରଜା ଗୁହାରି ନିଶ୍ଚେ ମରିବେ ଗୋ ଜନ୍ତୁ

ନିସତେ ଖନ୍ଦ ପରଜା ହସ୍ତେ ଦେଇ କରିବେଟି ହନ୍ତୁ ସନ୍ତୁ ବା

ନାହିଁ ଚୋରକୁ ଏମନ୍ତ ଶାସ୍ତି

ନକ୍ଷେ ଉପୁଜାଇ ହେବେ କଷ୍ଟୀ ବା ।୨୦।

 

ପୋଇଲୀ ମାଇପ ପଡ଼ି ଲେଖିଦେବ ପଡ଼ିଆକୁ ନେବେ କର

ବୁଢ଼ାବୁଢ଼ୀକି ବାହାର କରିଦେଇ ପୁଅ ବୋହୂ କରିବେ ଘର ବା

ପୁଅ ବାପକୁ କରିବେ ଲୋକ

ପାପ ପୁଣ୍ୟକୁ ନ ଥିବ ଦକ ବା ।୨୧।

 

ଭାବାର୍ଥ- (୧୬-୨୧) ଲାଜ, ଭୟକୁ ଲୋକେ ଛାଡ଼ିଦେଲେଣି । ଜଣେ ଯୁବତୀକୁ ତିନି ତିନି ଜଣ ପୁରୁଷ ବଳତ୍କାର କରୁଛନ୍ତି । ସ୍ତ୍ରୀମାନେ ପୁରୁଷକୁ ମାନିବେ ନାହିଁ । ଜଣେ ନାରୀକୁ ଚାରି ଚାରିଟା ଗିରସ୍ତ ହେବେ । ଲୋକେ ନିଜର ସ୍ତ୍ରୀକୁ ଛାଡ଼ି ରକ୍ଷିତା ସ୍ତ୍ରୀ ସହିତ ଘର ସଂସାର କରିବେ । ସ୍ଥାନୀୟ ଲୋକମାନେ ସ୍ଥାନ ଛାଡ଼ିଯିବେ, ଅସ୍ଥାନୀ ଲୋକମାନେ ତାଙ୍କ ସ୍ଥାନରେ ମାଡ଼ି ବସିବେ । କୌଣସି ଲୋକର ବୁଦ୍ଧି ଥୟ ହେବ ନାହିଁ । ସମସ୍ତେ ଅସ୍ଥିର ଚିତ୍ତ ହେବେ । କଳିଯୁଗରେ ଆହୁରି ଅନେକ ବିଚିତ୍ର ଘଟଣା ଘଟିବ । ଦିଅର ଭାଉଜ ଏକ ହୋଇ ରହିବେ, ସ୍ୱାମୀକୁ ସ୍ତ୍ରୀ ଚାକରଭାବେ ଦେଖିବ । ଲୋକେ ଦାଉଣ୍ଡି (ତେଜବାନ) ବଳଦ ମୁହଁରେ ତୁଣ୍ଡି ବାନ୍ଧିବେ । ବ୍ରାହ୍ମଣମାନେ ମାୟା ଆଚରଣ କରିବେ । ମୂଲିଆ କାମ ନ କରି ଠିଆ ଠିଆରେ ଦିନ ସାରିଦେବ ।

 

କଳିଯୁଗରେ ଲୋକେ ଧର୍ମପଥକୁ ଛାଡ଼ି ଅଧର୍ମ ବାଟରେ ଯିବେ । ଅଳ୍ପ ଦେଇ ବହୁତ ଆଦାୟ କରିବେ । ଧର୍ମ କାହାର ପାଖରେ ରହି ପାରିବ ନାହିଁ । ପ୍ରଜାର ଗୁହାରି ରଜା ଶୁଣିବେ ନାହିଁ । ରାଜ୍ୟରେ ଦୁର୍ଭିକ୍ଷ, ମରୁଡ଼ି ଦେଖାଦେବ । ମଣିଷ, ଗାଈ, ଗୋରୁ ମରିବେ । ପରଜାକୁ ରାଜା ହନ୍ତସନ୍ତ କରିବେ । ଚୋରକୁ ଶାସ୍ତି ମିଳିବ ନାହିଁ । ପୋଇଲୀକୁ ସ୍ତ୍ରୀ କରି ତା’ ନାଁ’ ରେ ପୁରୁଷ ପଡ଼ି ଲେଖିଦେବ । ରଜା ପଡ଼ିଆରୁ ମଧ୍ୟ କର ଆଦାୟ କରିବେ । ପୁଅ ବୋହୂ ବାପା, ମା’ (ବାଢ଼ାବୁଢ଼ୀ)ଙ୍କୁ ଘରୁ ବାହାର କରିଦେଇ ଘରେ ରହିବେ । ଲୋକଙ୍କ ପାଖରେ ଭଲମନ୍ଦ, ପାପପୁଣ୍ୟର ବିଚାର ରହିବ ନାହିଁ । କେହି ପାପ, ମନ୍ଦ, ଅନ୍ୟାୟ, ଅନାଚାରକୁ ଗୁରୁତ୍ୱ ଦେବେ ନାହିଁ । ସେଥିପ୍ରତି କାହାର ଭୟ ରହିବନି ।

 

ଫଳିବ ନାହିଁଟି କଉଁ କୃଷି କିଆରି ବିକାରେ ହୋଇବ ଟାଣ

ଫନ୍ଦାକଲେ ଫଳଯାକ ନ ଅଣ୍ଟିବ ସାହୁକୁ ନ ଦେବେ ଋଣ ବା

ଫଳ ଜଗୁଁ ଜଗୁଁ ନ ରହିବ

ଫୁଲ ଫୁଟିଲେ ଫଳ ନୋହିବ ବା ।୨୨।

 

ବିଧବା ବ୍ରାହ୍ମଣୀ ପେଟ ପୋଡ଼ା ଖାଇ ଶୂଦ୍ରଙ୍କ ସଙ୍ଗରେ ରତି

ବ୍ରାହ୍ମଣମାନେ ଅତ୍ୟାଚାର ହୋଇବେ ନୀଚ ସଙ୍ଗତେ ପୀରତି ବା

ବେଦ ଛାଡ଼ିଣ ବ୍ରାହ୍ମଣେ ଚାଷୀ

ବୋହୁ ମାରିବେ ଶାଶୂଙ୍କୁ ପଶି ବା ।୨୩।

 

ଭାଇ ବହୂ ଦେଢ଼ଶୁର ନ ମାନିବେ ପେଲି କହୁଥିବେ କଥା

ଭଣ୍ଡାରୀମାନେ ଚଉଧୁରୀ ହୋଇବେ ଶୂଦ୍ର ହେବେ ନମହତା ବା

ଭଜ ନୀଳାଚଳ ପତି ଏକା

ଜଣେ ପାମର ଅର୍କ୍ଷିତ ଲୋକା ବା ।୨୪।

 

ମୁଗୁଲ ଖାଇବେ ଓଡ଼ିଆ ରାଇଜ ଯୁଜେଷ୍ଟି ଅଛନ୍ତି ଦେଇ

ମଲେଟି ପରଜା ହନ୍ତୁସନ୍ତୁ ହୋଇ ଭ୍ରଥଙ୍କର ଶାପ୍ୟ ପାଇ ବା

ମାତା ପିତା ନ ମାନିବେ ପୁଅ

ମାଇପଙ୍କଠାରେ ବଡ଼ ସ୍ନେହ ବା ।୨୫।

ଯୁବାସ୍ତିରୀକୁ ବାପଘରେ ଛାଡ଼ିଣ ଦାଣ୍ଡେ କହିବେ ବଡ଼ାଇ

ଜପ ନ କରିବେ ଧର୍ମ ନ କରିବେ ଭିକାରୀ ଭିକ ବୁଡ଼ାଇ ବା

ଯୋଗ ଜଉତିଷ ନ ଜାଣିବେ

ଜଳ ଅକାଳେ ବୃଷ୍ଟି କରିବେ ବା ।୨୬।

 

ଭାବାର୍ଥ- (୨୨-୨୬) କଳିଯୁଗରେ କୃଷି କିଆରିଗୁଡ଼ିକ ଅନୁର୍ବର ହୋଇଯିବ । ଫସଲ, ପରିବା, ଫଳ ଭଲ ଫଳିବ ନାହିଁ । ବିକ୍ରିବଟା ଭଲ ହେବ ନାହିଁ । ଯଦି କୌଣସି ଉପାୟ କରିବେ ଫଳ ସବୁ ଅଣ୍ଟିବ ନାହିଁ, ସାହୁର ଋଣ ପରିଶୋଧ କରି ପାରିବେ ନାହିଁ । ଫଳକୁ ଜଗୁ ଜଗୁ ଫଳ ରହିବ ନାହିଁ । ଫୁଲ ଫୁଟିଲେ ମଧ୍ୟ ଫଳ ରହିବ ନାହିଁ । ବିଧବା ବ୍ରାହ୍ମଣୀ ପେଟ ବିକଳରେ ଶୂଦ୍ରଙ୍କ ସଙ୍ଗରେ ଅନୀତି କାର୍ଯ୍ୟ କରିବେ । ବ୍ରାହ୍ମଣମାନେ ନିଜ ଉଦାର ଭାବ ଛାଡ଼ି ଅତ୍ୟାଚାରୀ ହେବେ । ମଦ, ମାଂସ ଖାଇ ଉତ୍ପାତ କରିବେ । ନୀଚ ଲୋକ ସହିତ ପ୍ରୀତିଭାବ ବଢ଼ାଇବେ । ବେଦଶାସ୍ତ୍ର ଅଧୟନ ଛାଡ଼ି ବ୍ରାହ୍ମଣମାନେ କୃଷିକାର୍ଯ୍ୟରେ ମନ ଦେବେ । ଶାଶୂଙ୍କୁ ବୋହୁ ମାଡ଼ ମାରିବ । ଭାଇବୋହୂ-ଦେଢ଼ଶୂର ମଧ୍ୟରେ ଥିବା ପବିତ୍ର ସଂପର୍କକୁ ସେମାନେ ଭୁଲିଯିବେ । ଉଚ୍ଚରେ କଥାବାର୍ତ୍ତା, ଆଳାପ କରିବେ । ଭଣ୍ଡାରୀମାନେ ଚୌଧୁରୀ ବୋଲାଇବେ । ଶୂଦ୍ରମାନେ ଅନୀତି କାର୍ଯ୍ୟରେ ଲିପ୍ତ ରହିବେ । କବି ଲୋକା ଜନସମାଜକୁ ନିବେଦନ ଜଣାଇ କହୁଛନ୍ତି- ସର୍ବଦା ନୀଳାଚଳ ପତି ଜଗନ୍ନାଥଙ୍କୁ ଧ୍ୟାନ କର ।

 

ମୋଗଲମାନେ ଓଡ଼ିଶା ରାଜ୍ୟକୁ ଅଧିକାର କରିବେ । ପ୍ରଜାମାନେ ହନ୍ତସନ୍ତ ହେବେ । ପିତାମାତାଙ୍କୁ ପୁଅମାନେ ମାନିବେ ନାହିଁ । ଘରୁ ବାହାର କରିଦେବେ । ଅଥଚ ସ୍ତ୍ରୀକୁ ଆଦର, ସ୍ନେହ କରି ଘରେ ରଖିବ । ଯୁବତୀ ସ୍ତ୍ରୀକୁ ବାପଘରେ ଛାଡ଼ି ଦେଇ ଯୁବକମାନେ ଦାଣ୍ଡରେ ବଡ଼ାଇ କହିବେ । ଜପ, ତପ, ଧର୍ମ କାର୍ଯ୍ୟରୁ ଦୂରେଇ ରହିବେ । ଭିକାରିକୁ ଭିକ ମୁଠାଏ ବି ଦେବେନାହିଁ । କଳିକାଳ ଲୋକେ ଯୋଗ, ଜ୍ୟୋତିଷ କିଛି ଜାଣିବେ ନାହିଁ । ଯେତେକ ସବୁ ଅଧର୍ମ, ଅନୀତି, ଅନାଚାର ଲୋଡ଼ି ଆଣିବେ । ରାଜ୍ୟରେ ଅରାଜକତା ଦେଖାଦେବ ।

 

ରାଜା ନ ଶୁଣିବେ ପରଜା ଗୁହାରି ମନ୍ତ୍ରୀଙ୍କି ରାଇଜ ଦେଇ

ରାଇଜଯାକ ବାହାପିଆ ଖାଇବେ ଚିଠିପତ୍ରମାନ ବହି ବା

ରାଜା ଜଗତ୍ରଯାକରେ ପତି

ରାଜା ଯୁଜେଷ୍ଠି ପ୍ରଭୁ କହନ୍ତି ବା ।୨୭।

 

ଲୋଭରେ ପ୍ରାଣୀ ଛଟପଟ ହୋଇବେ ଜଳ ମୀନ ପ୍ରାୟେ ହୋଇ

ଲେଖାଲେଖି ଏକାଦିନେ ସରିବ ପାପପୁଣ୍ୟେ ଭୟେ ନାହିଁ ବା

ଲୁହା କଳଙ୍କ ଲାଗିଣ ଭସ୍ମ

ଲୋଭ ଲାଗି ପ୍ରାଣୀ ଯିବେ ନାଶ ବା ।୨୮।

 

ବଇଦମାନେ ବ୍ୟାଧିକି ନ ଚିହ୍ନିଣ ମଳୁକୁ କରିବେ ହେଳା

ବିଶ୍ୱାସ ଲୋକେ ଅବିଶ୍ୱାସ ହୋଇବେ ମିଚ୍ଛେ କରିଥିବେ ମେଳା ବା

ବିଷ ବିଶ୍ୱାସ କଲେଣ ଖାଇ

ବୁଦ୍ଧିକୁ ଭୁଲିଣ ଭ୍ରମି ମରଣ ବା ।୨୯।

 

ସହଦେବ କହେ ଶୁଣ ଧର୍ମରାୟେ କଳିଯୁଗର ଏ ଗତି

ସହସ୍ରେ ବରଷ କଳି ଭୋଗ ହେଲା ଧରାଇଣ ଦଣ୍ଡଛତି ବା

ଶୁଣି ମଉନ ଯୁଜେଷ୍ଠି ରାୟେ

ସଭା ମଧ୍ୟରୁ ଶୂନ୍ୟକୁ ଚାହେଁ ବା ।୩୦।

 

ଭାବାର୍ଥ- (୨୭-୩୦) ରାଜାମାନେ ନିଜ ଉପରୁ ଦାୟିତ୍ୱ ଖସାଇ ଦେଇ ମନ୍ତ୍ରୀଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରିବେ । ଚିଠିପତ୍ରମାନ ଧରି ରାଜ୍ୟଯାକରେ ବାହାପିଆ ସବୁ ବୁଲିବେ । ଲୋଭରେ ପଡ଼ି ମଣିଷ ଜଳ ନ ଥିବା ପୋଖରୀରେ ମାଛ ଛଟପଟ ହେଲା ପରି ଛଟପଟ ହେବ । ପାପ-ପୁଣ୍ୟର ବିଚାର ମଣିଷ ମନରୁ ଦୂରେଇ ଯିବ । ଲୁହାରେ କଳଙ୍କି ଲାଗିଲେ ତାହା ନଷ୍ଟ ହୋଇଗଲା ଭଳି, ମନୁଷ୍ୟ ପାଖରେ ଲୋଭ ରହି ତାକୁ ନାଶ କରିଦେବ ।

 

କଳିଯୁଗରେ ବୈଦ୍ୟମାନେ ରୋଗକୁ ନ ଚିହ୍ନି ରୋଗୀ ପ୍ରତି ଅବହେଳା କରିବେ । ମିଛ କଥା କହି ବିଶ୍ୱାସୀ ଲୋକେ ଅବିଶ୍ୱାସୀ ହେବେ । ବିଶ୍ଵାସରେ ଅନ୍ୟକୁ ବିଷ ଦେବେ । ମନୁଷ୍ୟ ବୁଦ୍ଧିବୃତ୍ତିକୁ ଛାଡ଼ି ଭ୍ରମରେ ପଡ଼ିବ ଓ ମୃତ୍ୟୁବରଣ କରିବ । ପୁଣି ସହଦେବ କହିଲେ- “ହେ ଧର୍ମରାଜ, କଳିଯୁଗର ଏହିପରି ଗତି । ସହସ୍ରେ ବର୍ଷ କଳି ଭୋଗ ହେଲାଣି । ଆପଣ ରାଜ୍ୟଭାର ଗ୍ରହଣ କରିଛନ୍ତି । ସହଦେବଙ୍କଠାରୁ ଏହା ଶୁଣି ରାଜା ଯୁଧିଷ୍ଠିର ମଉନ ରହିଲେ । ସଭା ମଧ୍ୟରେ ଶୂନ୍ୟକୁ ଚାହିଁ ରହିଲେ।

 

ସହଦେବଙ୍କୁ ଯୁଜେଷ୍ଠି ଆଜ୍ଞା ଦେଲେ ଶୁଣ ତୁମ୍ଭେ ମନ୍ତ୍ରୀବର

ସକାଳ ଯେ ମୋତେ ଦର୍ଶନ କରିବ ତାକୁ ଦେବି ରାଜ୍ୟଭାର ବା

ସଜ କରିଣ ଆଣ ଅଶ୍ୱକୁ

ଶାଢ଼ୀ ଦେବେ ଡିଲୀ ପାଇଛାକୁ ବା ।୩୧।

 

ସ୍ନାହାନ ନିମନ୍ତେ ସୁବର୍ଣ୍ଣ ଗରାରେ ଆପଟେ ଆଣିଲେ ପାଣି

ଶାଢ଼ୀ ଦେଲେ ତାଙ୍କୁ ଗଜପତି ପଣେ ଯୁଜେଷ୍ଠି ଯେ ନୃପମଣି ବା

ଶାଢ଼ୀ ଦେଇ ବୈକୁଣ୍ଠକୁ ଗଲେ

ସଙ୍ଗତରେ କାହାକୁ ନ ନେଲେ ବା ।୩୨।

 

ହରି ହରି ବୋଲି ଶୁଭିଲା ଶବଦ ଯୁଜେଷ୍ଠି ସ୍ୱର୍ଗକୁ ଗଲେ

ହେମ ସେତୁବନ୍ଧ ଗଉଡ଼ କର୍ଣ୍ଣାଟ ଓଡ଼ିଶା ରାଜାଙ୍କୁ ଦେଲେ ବା

ହସ୍ତୀ ମଣ୍ଡିଲେ ଧବଳ ଛତି

ହରିଶରଣ ଧର୍ମ ନୃପତି ବା ।୩୩।

 

ଛପନ କୋଟି ଜୀବଜନ୍ତୁ ଉପରେ ଜଗନ୍ନାଥ ପ୍ରଭୁ ଦାତା

ଛୟାଣୋଇ ସହସ୍ରେ ରାଜାଙ୍କ ଉପରେ ଓଡ଼ିଶା ରାଜା କରତା ବା

କ୍ଷଣେ ଚିନ୍ତା କରେ ପଦ୍ମମୁଖ

ଛାର ଲୋକା ବୋଲେ ମୋତେ ରଖ ବା ।୩୪।

 

ଭାବାର୍ଥ- (୩୧-୩୪) କିଛି ସମୟ ପରେ ରାଜା ଯୁଧିଷ୍ଠିର ମନ୍ତ୍ରୀ ସହଦେବଙ୍କୁ ଆଜ୍ଞା ଦେଲେ- ହେ ମନ୍ତ୍ରୀବର, ରାଜ୍ୟରେ ଘୋଷଣା କର, ଆସନ୍ତାକାଲି ସକାଳେ ଯିଏ ପ୍ରଥମେ ମୋତେ ଦର୍ଶନ କରିବ ତାକୁ ମୁଁ ରାଜ୍ୟଭାର ଦେବି । ସଜ କରି ଅଶ୍ଵକୁ ଆଣ । ଏହା କରି ଦିଲ୍ଲୀ ଅଧିକାରୀଙ୍କୁ ଶାଢ଼ି ଦେଲେ । ସ୍ନାନ ପାଇଁ ସୁବର୍ଣ୍ଣ ଗରାରେ ପାଣି ଆଣିଲେ । ଗଜପତି ଭାବରେ ରାଜା ଯୁଧିଷ୍ଠିର ତାଙ୍କ ମଥାରେ ଶାଢ଼ି ବାନ୍ଧିଲେ । ଏହା ପରେ ସେ ବୈକୁଣ୍ଠକୁ କାହାକୁ ସଙ୍ଗରେ ନ ନେଇ ଚାଲିଗଲେ।

 

ହରି ହରି ଧ୍ୱନି ମଧ୍ୟରେ ମହାରାଜା ଯୁଧିଷ୍ଠିର ସ୍ଵର୍ଗପୁରକୁ ଗମନ କଲେ । ସୁବର୍ଣ୍ଣ ସେତୁବନ୍ଧ ଗଉଡ଼, କର୍ଣ୍ଣାଟ ପଦବୀ ଓଡ଼ିଶା ରାଜ୍ୟକୁ ଦିଆଗଲା । ହାତୀଙ୍କୁ ଧବଳ ଛତ୍ରରେ ମଣ୍ଡାଗଲା । ଧର୍ମରାଜ ଯୁଧିଷ୍ଠିର ହରିଙ୍କ ଶରଣରେ ରହିଲେ । ଛପନ କୋଟି ଜୀବଜନ୍ତୁର ସାହାଭରସା, ରକ୍ଷାକର୍ତ୍ତା ସ୍ଵୟଂ ପ୍ରଭୁ ଜଗନ୍ନାଥ । ଛୟାନବେ ସହସ୍ର ରାଜାଙ୍କ ମଧ୍ୟରେ ଓଡ଼ିଶା ରାଜା ଶ୍ରେଷ୍ଠ । କବି ଲୋକା (ଲୋକନାଥ) ପ୍ରଭୁଙ୍କ ପାଦ ତଳେ ଶରଣ ପଶି କହୁଛନ୍ତି- “ହେ ପ୍ରଭୁ ମୋତେ ରକ୍ଷା କର ।”