Unknown

କାୟମନ ବଚନରେ

ସିଦ୍ଧସାଧୁ ଦଇତାରି ବାବା

 

(କବି ଦଇତାରି ବାବା ବ୍ରହ୍ମ ଅଲେଖଙ୍କ ପରମ ଭକ୍ତ । ପ୍ରଭୁଙ୍କ ନାମ ଭଜନ ଗାନ କରି କେତେକ ଚଉତିଶା ରଚନା କରିଯାଇଛନ୍ତି । ପ୍ରଭୁଙ୍କ ଅପୂର୍ବ, ଅନିନ୍ଦ୍ୟ ରୂପଲାବଣ୍ୟ, ଅଲୌକିକ ମହିମାକୁ ସେ ଏଥିରେ ବର୍ଣ୍ଣନା କରିଛନ୍ତି । ସୁନ୍ଦର, ସରଳ ଭାଷାରେ ଚଉତିଶାଟି ପାଠକଙ୍କୁ ମୋହିତ କରିଥାଏ ।)

 

କାୟମନ ବଚନରେ, କର ଭକତି ଶ୍ରୀଗୁରୁ ପୟରେ ଗୋ,

କାଳ ଭୟ ଘୁଞ୍ଚିଯିବ ଦୂରେ ସୁଜନେ ଗୋ ।୧।

ଖିଳ ବ୍ରହ୍ମାଣ୍ଡ ନାୟକ, ଖଳ ବୁଦ୍ଧି ଛାଡ଼ି କର ବିବେକ ଗୋ,

କ୍ଷମାନନ୍ଦ ମହିମା ଅଲେଖ, ସୁଜନେ ଗୋ ।୨।

ଗତି ମୁକତି ଦାୟକ, ଗରବ ଗୁମାନ ବରଜି ଦେଖ ଗୋ,

ଗୁରୁ ବିଜୟ ତାଳୁକା ଶିଖ, ସୁଜନେ ଗୋ ।୩।

ଘଟଯୁଗ ପ୍ରାଣପତି, ଘଟଣ ସୁନ୍ଦର ବ୍ରହ୍ମ ଅଜ୍ୟୋତି ଗୋ,

ଘନ ବିଦ୍ୟୁ ଜିଣା ତାଙ୍କ କାନ୍ତି, ସୁଜନେ ଗୋ ।୪।

ଉଦେଛନ୍ତି ଏକ ପାଦେ, ଛଡ଼ ବେଦ ପରେ ତ୍ରିପାଦ ଊର୍ଦ୍ଧ୍ୱେ ଗୋ,

ଉହ ଭାବ ତେଜି ଭଜ ସର୍ବେ, ସୁଜନେ ଗୋ ।୫।

ଚଉଦ ଭୁବନେ ରାଜା, ଛପ୍ନାକୋଟି ଜୀବ ଦାସ ପରଜା ଗୋ,

ଚନ୍ଦ୍ର ସୂର୍ଯ୍ୟ ତାହାଙ୍କ ପରଜା ସୁଜନେ ଗୋ ।୬।

ଛନ୍ଦ କପଟ କୁଟିଳ, ଛାଡ଼ି ଭଜ ପ୍ରଭୁ ପାଦ କମଳ ଗୋ,

ଛଣାସୁଧା ଦେବେ ଆଦିମୂଳେ, ସୁଜନେ ଗୋ ।୭।

 

ଭାବାର୍ଥ- (୧-୭) ହେ ସୁଜନେ, କାୟ ମନ ବାକ୍ୟରେ ଶ୍ରୀଗୁରୁଙ୍କ ପାଦ ତଳେ ଭକ୍ତିଭାବ ରଖ । କାଳଭୟ ଦୂରକୁ ଚାଲିଯିବ । ହେ ଖିଳ ବ୍ରହ୍ମାଣ୍ଡ ନାୟକ, ଖଳ ବୁଦ୍ଧି ଛାଡ଼ି ମୋତେ ବିବେକ ମାର୍ଗରେ ଯିବାକୁ ଦିଅ । ହେ କ୍ଷମାନନ୍ଦ ମହିମା ଅଲେଖ, ଗତି ମୁକ୍ତିଦାୟକ, ଗବଗୁମାନ ଛାଡ଼ି ମୋତେ ଦେଖ । ପ୍ରଭୁଙ୍କ ସୁନ୍ଦର ବ୍ରହ୍ମ ଅତୀବ ଚମତ୍କାର । ହେ ସୁଜନେ, ଘନ ବିଦ୍ୟୁଜିଣା ତାଙ୍କର କାନ୍ତି । ସେ ଏକ ପାଦରେ ଉଦୟ ହୋଇ ଷଡ଼ବେଦ ପରେ ତ୍ରିପାଦ ଊର୍ଦ୍ଧ୍ୱରେ ରହିଛନ୍ତି । ଗର୍ବ, ଅହଙ୍କାର ଭାବ ତେଜି ତାଙ୍କୁ ସମସ୍ତେ ପ୍ରାର୍ଥନା କର ।

 

ସଜନେ ଗୋ, ଚଉଦ ଭୁବନରେ ଜଣେ ରାଜା, ଛପନ କୋଟି ଜୀବ ତାଙ୍କର ଦାସ, ଚନ୍ଦ୍ର ସୂର୍ଯ୍ୟ ତାହାଙ୍କ ପରଜା । ଛନ୍ଦ, କପଟ, କୁଟିଳ ବୁଦ୍ଧି ଛାଡ଼ି ପ୍ରଭୁଙ୍କ ପାଦକମଳ ତଳେ ପ୍ରାର୍ଥନା କର । ପ୍ରଭୁ ଆଦି ମୂଳ, ଶୁଦ୍ଧ ଅମୃତର ଧାରା ପ୍ରଦାନ କରିବେ ।

 

ଜାଗ୍ରତରେ ରଖି ଚିତ୍ତ, ଜଗତନାଥଙ୍କୁ ହୃଦରେ ଚିନ୍ତ ଗୋ,

ଜନ୍ମ ମରଣ ହୋଇବ ହତ, ସୁଜନେ ଗୋ ।୮।

ଝଳି ଦିଶୁଛି ନୟନେ, ଝଟତି ଲଗାଅ ଧ୍ୟାନ ଯତନେ ଗୋ,

ଝଡ଼ି ନ ପଡ଼ିବ ଝାମ ବନେ, ସୁଜନେ ଗୋ ।୯।

ନିରଞ୍ଜନ ନିରାକାର, ନିଦା ବ୍ରହ୍ମ ନିଜ ମନ୍ଦିରେ ତୋର ଗୋ,

ନିରନ୍ତରେ କରନ୍ତି ବେହାର, ସୁଜନେ ଗୋ ।୧୦।

ଟାଣେ ଟେକି ଭଜ ନିତି, ଟମାଳିରେ କେଭେ ନ ଦେଇ ମତି ଗୋ,

ଗୁରୁ ଚରଣେ କର ପୀରତି, ସୁଜନେ ଗୋ ।୧୧।

ଠାବ କର ନିଜ ଦେହେ, ଠୁଳ ଶୂନ୍ୟବାସୀ ଆକାର ନୁହେଁ ଗୋ,

ଠାରି ଦଇତାରି ଗୀତେ କହେ, ସୁଜନେ ଗୋ ।୧୨।

ଡୋଳା ଗୋଚରେ ଲୁଚିଛି, ଡିଙ୍ଗର ଜନ ଗରବ ଗଞ୍ଜୁଛି ଗୋ,

ଡର ଛାଡ଼ କର ବ୍ରହ୍ମେ ଭକ୍ତି, ସୁଜନେ ଗୋ ।୧୩।

ଢାଉ ରଙ୍ଗ ପସରାରେ, ଢାଳେ ଢଳି ନ ପଡ଼ି ଅଜ୍ଞାନରେ ଗୋ,

ଢୋକି ପିଅ ସୁଧା ପାଦୁ ଝରେ, ସୁଜନେ ଗୋ ।୧୪।

ଆସୁଛି ଯାଉଛି ସେହି, ଅଣ ଅକ୍ଷର ଅଲେଖ ଅଟଇ ଗୋ,

ଅନୁସରି ଥିଲେ ଭେଟ ପାଇ, ସୁଜନେ ଗୋ ।୧୫।

ତତ୍ତ୍ୱ ଚିତ୍ତେ ନାହିଁ ଦେଖ, ତ୍ରୈଲୋକ କରତା ଗୁରୁ ଅଲେଖ ଗୋ,

ତ୍ରିଭୁବନେ ଅଟନ୍ତି ବ୍ୟାପକ, ସୁଜନେ ଗୋ ।୧୬।

 

ଭାବାର୍ଥ- (୮-୧୬) ଭାବ ଭକ୍ତିରେ ଚିତ୍ତ ରଖି ହୃଦୟରେ ଜଗତର ନାଥଙ୍କୁ ଚିନ୍ତା କର । ପାପ ସଂସାରରେ ମାୟାପୂର୍ଣ୍ଣ ଜନ୍ମମୃତ୍ୟୁକୁ ସେ ଆଉ ଦେବେ ନାହିଁ । ଶୀଘ୍ର ପ୍ରଭୁଙ୍କୁ ଧ୍ୟାନ କର । ସେ ଚକ୍ଷୁ ଆଗରେ ଝଟକ ହୋଇ ଦିଶୁଛନ୍ତି । ସୁଜନେ ଗୋ, ନିରଞ୍ଜନ ନିରାକାର ହେଉଛନ୍ତି ନିଦା ବ୍ରହ୍ମ । ତୋର ନିଜ ମନ୍ଦିରରେ ନିରନ୍ତର ବିହାର କରୁଛନ୍ତି । ଦୃଢ଼ ଭାବରେ ହାତ ଟେକି ତାଙ୍କୁ ଭଜନ କର । ଟମାଳିଆ (ଦୁଷ୍ଟ) କାର୍ଯ୍ୟରେ କେବେ ମନ ନ ଦେଇ ଗୁରୁଙ୍କ ଚରଣରେ ମନ ଦିଅ । ସୁଜନେ ଗୋ, ନିଜ ଦେହରେ ଶୂନ୍ୟବାସୀ ବିରାଜମାନ କରୁଛନ୍ତି । ଅନ୍ତର୍ଦୃଷ୍ଟିରେ ତାଙ୍କୁ ଦେଖ । ଆକାର ଶୂନ୍ୟ ସେ ଦୀନ ଦଇତାରି ଠାରି କରି ଗୀତରେ କହିଲେ ।

 

ସୁଜନେ ଗୋ, ଚକ୍ଷୁର ଗୋଚରରେ ଡୋଳା ଲୁଚିଛି । ଡିଙ୍ଗର (ନୀଚ) ଜନର ଗରବକୁ ଗଞ୍ଜୁଛି । ମନରୁ ଭୟ ଛାଡ଼ି ବ୍ରହ୍ମଙ୍କୁ ଭକ୍ତି କର । କପଟ ରଙ୍ଗ ପସରାରେ, ଅଜ୍ଞାନରେ ଢଳି ନ ପଡ଼ । ସୁଜନେ ଗୋ, ଆଦିମୂଳଙ୍କ ପାଦରୁ ଅମୃତ ଝରୁଛି, ତାକୁ ଢୋକି, ପିଅ । ଶୂନ୍ୟରୁ ଆସୁଛି, ପୁଣି ଶୂନ୍ୟକୁ ଯାଉଛି । ଅଲେଖ ଅଣଅକ୍ଷର ଅଟନ୍ତି । ତାଙ୍କୁ ଅନୁସରଣ କଲେ ଭେଟ ପାଇବ । ତତ୍ତ୍ୱ ଚିତ୍ତରେ ଚାହିଁ ଦେଖ । ସେ ତ୍ରୈଲୋକ୍ୟ କରତା, ଗୁରୁ ଅଲେଖ । ତ୍ରିଭୁବନରେ ବ୍ୟାପି ରହିଛନ୍ତି ।

 

ଥୟକରି ପଞ୍ଚମନ, ଶମଦମାଦି କରିଣ ସାଧନ ଗୋ,

ସ୍ଥିତ ହେବାଯାଏ ବ୍ରହ୍ମେ ପ୍ରାଣ, ସୁଜନେ ଗୋ ।୧୭।

ଦର୍ଶନ କଲେ ଅଦେହୀ, ଦୁଃଖ ସାଗରରୁ ତରିବୁ ଯାଇଁ ଗୋ,

ଦକ ଦକ ତୋ ରହିବ ନାହିଁ, ସୁଜନେ ଗୋ ।୧୮।

ଧନ୍ଦା ବନେ ନୁହଁ ବଣା, ଧ୍ୟାନେ ବସି ଜପ ନାମ ଅବନା ଗୋ,

ଧ୍ୱଂସ ହେବ ଦୁର୍ବାସନା, ସୁଜନେ ଗୋ ।୧୯।

ନାମଟି ଅନାମ ସାର, ଅନାଇଲେ ପୂର୍ବଦିଗେ ବେହାର ଗୋ,

ଆଣି ହେତୁ ଘରେ ଥୟ କର, ସୁଜନେ ଗୋ ।୨୦।

ପରମାତ୍ମା ଛନ୍ତି ଯହିଁ, ଜୀବ ପରମ ତହିଁ ଭେଦ ନାହିଁ ଗୋ,

ପଶିଗଲେ ନ ଫେରିବୁ ମହୀ, ସୁଜନେ ଗୋ ।୨୧।

ଫୁକା ବନ୍ଧର ଉପରେ, ଫଣି ମଣି ନାଥ ବିଜେ ସେଠାରେ ଗୋ,

ଫନ୍ଦା କର ତାଙ୍କରି ନାମରେ, ସୁଜନେ ଗୋ ।୨୨।

ବହୁଛି ତ୍ରିବେଣୀ ଧାର, ବୁନ୍ଦେ ବୁନ୍ଦେ ବସି ପାନ ତୁ କର ଗୋ,

ବଙ୍କୁନାଳେ ବାରସ୍ୱତୀ ପୁର, ସୁଜନେ ଗୋ ।୨୩।

ଭବ ଭୟ ହେବ ନାଶ, ଭରସିଣ ସେ ଝରେ ଝାସି ପଶ ଗୋ,

ଭାଷେ ଦଇତାରି ଏ ରହସ୍ୟ, ସୁଜନେ ଗୋ ।୨୪।

 

ଭାବାର୍ଥ- (୧୭-୨୪) ସୁଜନେ ଗୋ, ପଞ୍ଚମନକୁ ଥୟ କରି ଶମଦମାଦି (ଇନ୍ଦ୍ରିୟ ସଂଯମ) କରି ସ୍ଥିତ ହୁଅ । ସେ ଯାଏ ବ୍ରହ୍ମରେ ପ୍ରାଣ ରହିବ । ପ୍ରଭୁ ଅଦେହୀ । ତାଙ୍କୁ ଦର୍ଶନ କଲେ ଦୁଃଖସାଗରରୁ ତରିବୁ । ତୋ ହୃଦୟରେ ଯେପରି ଭୟ ରହିଛି, ଛାତି ଦକ, ଦକ ହେଉଛି, ତାହା ହେବ ନାହିଁ । ମନରେ, ମୋହମାୟାର ବଶରେ ବଣା ହୋଇଯାଅନାହିଁ । ଧ୍ୟାନରେ ବସି ଜପ, ଆରାଧନା କର । ମନରେ, ତୋର ଯେଉଁ ପାପବାସନା ରହିଛି ତାହା ଅଚିରେ ଧ୍ୱଂସ ହେବ । ସୁଜନେ ଗୋ, ନାମ ମଧ୍ୟରେ ଅନାମ ଅଲେଖ ସାର । ଚାହିଁଲେ ପୂର୍ବଦିଗରେ ବିହାର ବା ଉପବେଶନ କରିବା ଦେଖିବୁ । ତାଙ୍କୁ ହେତୁ କରି ଘରକୁ ଆଣ, ମନକୁ ଥୟ କର ।

 

ସୁଜନେ ଗୋ, ଯେଉଁଠାରେ ପରମାତ୍ମା ବିଦ୍ୟମାନ ସେଠାରେ ଜୀବପରମ ମଧ୍ୟରେ କୌଣସି ଭେଦାଭେଦ ନାହିଁ । ମାୟା ଜାଲରେ ପଶିଗଲେ ପୃଥିବୀକୁ ଆଉ ଫେରି ପାରିବୁ ନାହିଁ । ଫୁକା ବନ୍ଧର ଉପରେ ରହିଛି । ସେଠାରେ ପ୍ରଭୁ ଫଣିମଣି ନାଥ ବୈକୁଣ୍ଡ ବିହାରୀ ବିଜେ କରିଛନ୍ତି । ହେ ସୁଜନେ, ତାଙ୍କରି ନାମକୁ ଆଶ୍ରା କର । ତାଙ୍କ ପାଦରୁ ଗଙ୍ଗା, ଯମୁନା ଓ ସରସ୍ଵତୀର ତ୍ରିବେଣୀ ଧାର ବହୁଛି । ତୁମେ ବସି ରହି ସେଥିରୁ ବୁନ୍ଦେବୁନ୍ଦେ କରି ପାନ କର । ବଙ୍କୁନାଳ ପାଖରେ ପ୍ରଭୁଙ୍କର ବାସସ୍ଥାନ ରହିଛି । ସୁଜନେ ଗୋ, ଭରସା କରି ସେ ପବିତ୍ର ଝରରେ ଝସିକରି ପଶ । ତୁମର ଭବଭୟ ନାଶଯିବ । ଏ ରହସ୍ୟ କଥାକୁ କବି ଦଇତାରି ଗୀତରେ କହିଲେ ।

 

ମୂର୍ଦ୍ଦନୀ ଶିଖରେ ଯାଇଁ, ମହାନିତ୍ୟପୁର ଗୋଲକ ଭୂଇଁ ଗୋ,

ମହା ମହିମା ବିଜୟ ତହିଁ, ସୁଜନେ ଗୋ ।୨୫।

ଯମକୁ ସେ ପୁର ମନା, ଯଦି ସତୀଙ୍କ କାଉଁରୀ ପାଟଣା ଗୋ,

ଗୁରୁ ନାମ ଗୋଟି ବିକା କିଣା, ସୁଜନେ ଗୋ ।୨୬।

ରବି ଶଶୀ ତେଜ ନାହିଁ, ଜଳ ପବନ ପଶି ନ ପାରଇ ଗୋ,

ନିଗମ ଭୁବନ ଅଛି ଯହିଁ, ସୁଜନେ ଗୋ ।୨୭।

ଲୋଭ ମୋହରେ ନ ଭ୍ରମି, ଲକ୍ଷ ଲକ୍ଷାର୍ଥ ବ୍ରହ୍ମଙ୍କୁ ପ୍ରଣତି ଗୋ,

ଲାଭ କର ମୋକ୍ଷ ମାୟା ଜିଣି, ସୁଜନେ ଗୋ ।୨୮।

 

ଭାବାର୍ଥ- ନୀଳଗିରିର ଶିଖର ଦେଶରେ ମହାନିତ୍ୟପୁର ଗୋଲକ ଭୂଇଁ । ସେଠାରେ ମହାମହିମା ବିଜେ କରିଛନ୍ତି । ଯମ ସେ ପୁରକୁ ଯିବା ମନା । ତାହା ମୁନିଋଷି, ସତୀଙ୍କ ଲୀଳାଖେଳ । ଗୁରୁଙ୍କ ନାମକୁ ସର୍ବଦା ଧ୍ୟାନ କର । ସେ ନାମର ମହିମା ଏତେ ଅଧିକ ଯେ, ସୂର୍ଯ୍ୟ, ଚନ୍ଦ୍ରରୁ ତେଜ, ଜଳ, ପବନ ତା’ ମଧ୍ୟରେ ପଶି ପାରିବ ନାହିଁ । ସୁଜନେ ଗୋ, ବେଦଭୁବନ ସେଠାରେ ଅଛି । ଲୋଭ ମୋହର ଭ୍ରମରେ ନ ପଡ଼ି, ଲକ୍ଷ ଲକ୍ଷ ଭକ୍ତଙ୍କ ଉଦ୍ଧାରକର୍ତ୍ତା ବ୍ରହ୍ମଙ୍କୁ ପ୍ରଣାମ କର । ମାୟା ମୋହକୁ ଜିଣି ମୋକ୍ଷ ଲାଭ କର ।

 

ବଙ୍କୁନାଳେ ହଂସ ଖେଳେ, ବସି ଲୟ କର ଧ୍ରୁବ ମଣ୍ଡଳେ ଗୋ,

ତହୁଁ ଦ୍ୱାଦଶ ଶବଦ କ୍ଷରେ, ସୁଜନେ ଗୋ ।୨୯।

ଶରଦ ଉଷମ ନାହିଁ, ଷଡ଼ଋତୁ ପଶି ନ ପାରେ ଯହିଁ ଗୋ,

ସଦାନନ୍ଦ ସ୍ୱାମୀ ବିଜେ ତହିଁ, ସୁଜନେ ଗୋ ।୩୦।

ଷଟପଦ ପରି ମନ, ଶୟନ ସ୍ୱପନେ କର ପ୍ରେରଣ ଗୋ,

ସୁଧା ମଧୁ କରିବ ଆପ୍ୟାନ, ସୁଜନେ ଗୋ ।୩୧।

ହଂ କ୍ଷଂ ର ଉପରେ । ଓଲଟି ରହିଛି ଏକ ପାଦରେ ଗୋ,

ହଂସ ସୋଽହଂ ଅଜପା ମନ୍ତ୍ରରେ, ସୁଜନେ ଗୋ ।୩୨।

କ୍ଷମା ସାଗର ଶ୍ରୀଗୁରୁ, ବରଦାୟକ ବାଞ୍ଛା କଳ୍ପତରୁ ଗୋ,

ଭାଷେ ଦୈତାରୀ ଗୁରୁକୃପାରୁ, ସୁଜନେ ଗୋ ।୩୩।

 

ଭାବାର୍ଥ- (୨୯-୩୩) ସୁଜନେ ଗୋ, ବଙ୍କୁନାଳରେ ଏବେ ହଂସ ଖେଳୁଛି । ତାଙ୍କୁ ଧ୍ରୁବ ମଣ୍ଡଳରେ ଲୟ କରି ଦେଖ । ସେଠାରୁ ଦ୍ଵାଦଶ ଶବ୍ଦର କ୍ଷରଣ ଘଟୁଛି । ସେଠାରେ ଶୀତଳତା, ଉଷୁମ ନାହିଁ । ଷଡ଼ଋତୁ ସେଠାରେ ପ୍ରବେଶ କରିପାରେ ନାହିଁ । ହେ ସୁଜନେ, ସେଠାରେ ସଦାନନ୍ଦ ସ୍ଵାମୀ ବିଜେ କରିଛନ୍ତି । ତାଙ୍କ ମନ ଭ୍ରମର ପରି । ଏ ଫୁଲରୁ ସେ ଫୁଲ ବୁଲି ମଧୁ ସଂଗ୍ରହ କରିଥାଏ । ସେମିତି ସେ ଭକ୍ତଙ୍କ ହୃଦୟରୁ । ଭକ୍ତି ଭାବ ଗ୍ରହଣ କରିଥାନ୍ତି । ତାଙ୍କୁ ଶୟନରେ ସ୍ୱପ୍ନରେ ଡାକ । ଅମୃତ, ମଧୁ ପାନ କରିବ । ହେ ସୁଜନେ, ପ୍ରଭୁଙ୍କୁ ଭଲ ଭାବରେ ହେଜ । ହଂ କ୍ଷଂ ଉପରେ ଓଲଟ ଏକ ପାଦରେ ରହିଛି । ଅଜପା ମନ୍ତ୍ରରେ ତାଙ୍କୁ ଭଜନ କର । ଦୈତାରି ବାବା ଗୁରୁଙ୍କୁ ପ୍ରାର୍ଥନା । କଲେ । - ହେ କ୍ଷମାସାଗର ଶ୍ରୀଗୁରୁ, ବାଞ୍ଛା କଳ୍ପତରୁ ମୋତେ ଉଦ୍ଧାର କର ।