କରୁଣାକର ବାରେ

କରୁଣାକର ବାରେ

ସିଦ୍ଧସାଧୁ ଅନନ୍ତ ବାବା

 

(କବି ସିଦ୍ଧସାଧୁ ଅନନ୍ତ ବାବା ‘ଅନନ୍ତ’ ଭାବେ ଓଡ଼ିଆ ସାହିତ୍ୟରେ ପରିଚିତ । ଆନୁମାନିକ ଊନବିଂଶ ଶତାବ୍ଦୀର ଶେଷ ଭାଗର ସେ କବି । ତାଙ୍କର ‘ଅଲେଖ କୋଇଲି’ (ଅପ୍ରକାଶିତ) ଅଲେଖ ଧର୍ମ ସାହିତ୍ୟକୁ ଏକ ଉତ୍କୃଷ୍ଟ ଦାନ । ଚଉତିଶାଟିରେ ଅଲେଖ ଧର୍ମର ମହିମା, ବ୍ରହ୍ମର ସ୍ୱରୂପ ତଥା ସଂସାରର ଅଳିକତା ବର୍ଣ୍ଣିତ । ଭଜନଟିର ଭାବ ଉଚ୍ଚକୋଟୀର ।)

 

କରୁଣାକର ବାରେ ଗୁରୁ ଅଲେଖ ।

କାକୁସ୍ଥେ ଜଣାଉଛି ହୀନ ନିରେଖ ହେ, କରି ସୁଦୟା ।

କରେ ରଖାଅ ହୃଦେ ନ ରଖି ମାୟା ହେ, କରି ସୁଦୟା ।୧।

ଖତମ ହେଉଅଛି ଏ କଳିକାଳେ ।

କ୍ଷୁଦ୍ର ବୁଦ୍ଧିରେ ପଡ଼ି ଅଜ୍ଞାନ ଭୋଳେ ହେ, ଖିଳ ଗୋସାଇଁ ।

ଖଣ୍ଡିଣ ଏହି ଦୋଷ କରନ୍ତୁ ତ୍ରାହି ହେ, ଖିଳ ଗୋସାଇଁ ।୨।

ଗରିମା ଭାବ ହୃଦେ ବାସ କରିଣ ।

ଗୌରବ ଭାବେ ଥୟ ନ ରୁହେ ଜାଣ ଯେ, ଗୁରୁ ମହିମା ।

ଗତ୍ୟନ୍ତର ନ କର ମାଗୁଛି କ୍ଷମା ହେ । ଗୁରୁ ମହିମା ।୩।

ଘୋଟି ଆସଇ ବେଳୁ ବେଳ ଅଜ୍ଞାନ ।

ଘାଣ୍ଟି ହେଉଛି ହୃଦ କରି ବିଦୀର୍ଣ୍ଣ ହେ, ଘୋର ସଂସାରେ ।

ଘୁମାଇ ଯାଉଅଛି ମାୟା ମୋହରେ ଯେ । ଘୋର ସଂସାରେ ।୪।

ଅଣଆୟତ ହୋଇ ଭାସୁଛି ଜଳେ ।

ଅକୂଳ ଲୋଭ ମାୟା ସିନ୍ଧୁ ଅଥଳେ ହେ, ଅରୂପ ହରି ।

ଉଦ୍ଧାର କର ଏଥୁ ସୁଦୟା କରି ଯେ, ଅରୂପ ହରି ।୫।

ଚିତ୍ତ ଚୈତନ୍ୟ ଦେଖୁ ଦେଖୁ ମୋହର ।

ଚାଲିଯାଉଛି ଦେଖି ଏ ପାରାବର ଯେ, ଚପଳ ହୋଇ ।

ଚଉଦିଗକୁ ସାବଧାନ ହୁଅଇ ଯେ । ଚପଳ ହୋଇ ।୬।

 

ଭାବାର୍ଥ- (୧-୬) କବି ଅଲେଖ ନିରଞ୍ଜନଙ୍କୁ ପ୍ରାର୍ଥନା କରି କହୁଛନ୍ତି- ହେ ଗୁରୁ ଅଲେଖ, ମୁଁ କାତର କଣ୍ଠରେ ଦୁଃଖ ଜଣାଉଛି । ଏ ହୀନ ନିରକ୍ଷ ଜନକୁ ଦୟା କର । ହୃଦୟରେ ମାୟା ନ ରଖି ମୋତେ ଉଦ୍ଧାର କର । ଏ ଘୋର କଳିକାଳ ଚାରିଆଡ଼େ ହିଂସା, ଦ୍ୱେଷ, ପରଶ୍ରୀକାତରତାର ଅନ୍ଧକାର ଘୋଟିଛି । ମୁଁ ଏଠାରେ ଅଣନିଃଶ୍ୱାସୀ ହୋଇପଡ଼ୁଛି । ଅଜ୍ଞାନଙ୍କ ମେଳରେ ପଡ଼ି କ୍ଷୁଦ୍ରବୁଦ୍ଧି ସମ୍ପନ୍ନ ହୋଇପଡ଼ିଛି । ହେ ବ୍ରହ୍ମାଣ୍ଡ ଗୋସାଇଁ, ଏହି ଦୋଷରୁ ମୋତେ ତ୍ରାହି କର । ହେ ମହିମା ସ୍ଵାମି, ପାପ ସଂସାରରେ ମୁଁ ଦିଗଭ୍ରଷ୍ଟ ହୋଇପଡ଼ିଛି । ଗର୍ବ, ଅହଂକାର ମୋ ମନକୁ ଆଚ୍ଛାଦିତ କରି ରଖିଛି । ଗରିମା, ଗୌରବ ଭାବରେ ମନ ବାରମ୍ବାର ଅଥୟ ହେଉଛି । ମୋତେ ପଥଚ୍ୟୁତ ନ କରି କ୍ଷମା କରିଦିଅ ।

 

ହେ କରୁଣାକର ମହିମା ଗୋସାଇଁ, ବେଳକୁ ବେଳ ଚାରିଦିଗରୁ ଅଜ୍ଞାନ ଅନ୍ଧକାର ଘୋଟି ଆସୁଛି । ହୃଦୟ ବିଦୀର୍ଣ୍ଣ ହୋଇଯାଉଛି । ମନ ମୋହରେ ଘାଣ୍ଟି ହେଉଛି । ଏ ଘୋର କଳିକାଳ ସଂସାରରେ ମାୟା ମୋହ ସମସ୍ତଙ୍କୁ ଆଚ୍ଛନ୍ନ କରି ରଖିଛି । ହେ ପ୍ରଭୁ, କଳିର ପ୍ରଭାବରେ ମୁଁ ଅଣଆୟତ୍ତ ହୋଇପଡ଼ିଛି, ଅକୂଳ ଲୋଭମାୟା ସାଗରର ଅଥଳ ଜଳରେ ଭାସୁଛି । ହେ ଅରୂପହରୀ, ସୁଦୟା କରି ମୋତେ ଏଥିରୁ ଉଦ୍ଧାରକର । ହେ ଦୟାମୟ, ମୋର ଚିତ୍ତ ଚୈତନ୍ୟ ଦେଖୁ ଦେଖୁ ଏ ମାୟା ସାଗରର ଗଭୀର ଜଳରାଶି ମୋତେ ବୁଡ଼ାଇ ଦେଲାଣି । ଚତୁର୍ଦ୍ଦିଗକୁ ସାବଧାନ ହୋଇ ଚାହୁଁଛି।

 

ଛାଡ଼ି ନ ପାରି ଏହି ମାୟା ସଂସାର ।

ଛାରଖାର ହେଉଛି ପଡ଼ି ତହିଁର ଯେ, ଛନ୍ଦ ପାଶକୁ ।

ଛେଦନ କର ଗୁରୁ ବହି ଦୟାକୁ ଯେ, ଛନ୍ଦ ଫାଶକୁ ।୭।

ଜାଣି ଜାଣି ହାରିଲି ବୁଦ୍ଧି ମୋହର ।

ଜଞ୍ଜାଳ ଜାଲେ ପଡ଼ିଣ ମୁଁ ନିରନ୍ତର ଯେ, ଜଗତପତି ।

ଜଗତେ ଏବେ ରଖ କରେ ବିନତି ହେ, ଜଗତ ପତି ।୮।

ଝୁଙ୍କି ପକାଉଅଛି ଏ ମାୟା ମୋହ ।

ଝିମିଟେ ତବ ପାଦେ ନ ହୁଏ ଥୟ ଯେ, ଝୋଲା ମାରିଣ ।

ଝଡ଼ି ଯାଏ ମୋ ହୃଦୁ ସୁବୁଦ୍ଧିମାନ ଯେ, ଝୋଲା ମାରିଣ ।୯।

ନିରତେ ଶାନ୍ତି ପରେ ଦଗ୍‌ଧ ହୋଇଣ ।

ନିରକ୍ଷ ଜନ ପ୍ରାୟେ ଭ୍ରମୁଛି ଜାଣ ହେ, ନ ହୋଇ ସ୍ଥିର ।

ନୀର ସ୍ରୋତରେ ଭାସିଗଲି ଏଥର ହେ, ନ ହୋଇ ସ୍ଥିର ।୧୦।

ଟଳମଳ ଜୀବନ ହେଉଛି ନିତି ।

ଟିକେ ତବ ପୟରେ ନ ରହେ ମତି ଯେ, ଟଳି ଯାଉଛି ।

ଟୋପେ ପଡ଼ି ଛାମୁରେ ଜଣାଉଅଛି ଯେ, ଟଳି ଯାଉଛି ।୧୧।

ଠାକୁର ପାଦପଦ୍ମେ ନ ଦେଇ ମତି ।

ଠକ ସଙ୍ଗତେ ପଡ଼ି ହେଲି ଅନୀତି ଯେ, ଠଣ ମୂରତି ।

ଠିଆ ହୋଇ ଅନନ୍ତ କରଇ ସ୍ତୁତି ହେ, ଠଣ ମୂରତି ।୧୨।

 

ଭାବାର୍ଥ- (୭-୧୨) ହେ ଦୟାମୟ, ଏ ମୋହଗ୍ରସ୍ତ ସଂସାର ଜାଲରେ ପଡ଼ି ମୁଁ କଲବଲ ହେଉଛି । ଏ ଛନ୍ଦ ଫାଶକୁ ଦୟାବହି ଛେଦନ କର । ହେ ଜଗତପତି, ମୁଁ ନିରନ୍ତର ଜଞ୍ଜାଳ ଜାଲରେ ପଡ଼ି ବୁଦ୍ଧିବୃତ୍ତି ହରାଇ ବସିଛି । ତୁମ ପାଦତଳେ ବିନତି ଜଣାଉଛି, ମୋତେ ଏଥିରୁ ରକ୍ଷାକର । ହେ ଜଗତକରତା, ଏ ମାୟା ମୋହ ମୋତେ ଝୁଙ୍କି ପକାଉଛି । ଥୟ ଧରି ପାରୁନାହିଁ । ମୋ ହୃଦୟରୁ ସୁବୁଦ୍ଧି ସବୁ ନିମିଷକରେ ଅନ୍ତର୍ହିତ ହୋଇଯାଉଛି । ହେ ଦୟାମୟ, ମୁଁ ଏ ସଂସାରରେ ନିରନ୍ତର ଦଗ୍‌ଧୀଭୂତ ହେଉଛି । ନିରକ୍ଷ ଜନପ୍ରାୟ ଏଣେ ତେଣେ ଭ୍ରମୁଛି । ମନ ମୋର ବାରମ୍ବାର ଅସ୍ଥିର ହୋଇ ପଡ଼ୁଛି । ଏହିଥର ଜଳସ୍ରୋତରେ ନିଶ୍ଚୟ ଭାସିଯିବି ।

 

ହେ, ଜଗତକର୍ତ୍ତା ହରି, ଏ ମୋହଗ୍ରସ୍ତ ସଂସାର ମଧ୍ୟରେ ପଡ଼ି ମୋ ପ୍ରାଣ ନିତି ଟଳମଳ ହେଉଛି । ମନ ଅସ୍ଥିର ହୋଇ ପଡ଼ୁଛି । ତୁମ ପାଦ ତଳେ ମନ ସାମାନ୍ୟ ଭାବରେ ବି ସ୍ଥିର ରହୁନାହିଁ । ସଂସାର ଗର୍ତ୍ତରେ ପଡ଼ି କଲବଲ ହେଉଛି । ମୁଁ ତୁମ ଆଗରେ ଦୁଃଖ ଜଣାଉଛି, ମୋତେ ଏଥିରୁ ରକ୍ଷା କର । ଠାକୁରଙ୍କ ପାଦପଦ୍ମ ତଳେ ମନଧ୍ୟାନ ନ ଦେଇ ପଥଭ୍ରଷ୍ଟ ହୋଇଛି । ଠକ ଲୋକଙ୍କ ସଙ୍ଗରେ ପଡ଼ି ଅନ୍ୟାୟ, ଅନୀତି କରିଛି । ହେ ଦୟାମୟ, ସୁନ୍ଦର ମୋହନ, ଠିଆ ହୋଇ ଅନନ୍ତ ତୁମକୁ ସ୍ତୁତି କରୁଛି, ମୋତେ ଦୟା କର ।

 

ଡର ମାଡ଼ୁଛି ଦେଖି ମାୟା ସଂସାରେ ।

ଡରେ ଶରଣ ପଶେ ତବ ପୟରେ ଯେ, ଡୋଳେ ଚାହିଁଣ ।

ଡର ଭୟ ମୋହର କର ଛେଦନ ଯେ, ଡୋଳେ ଚାହିଁଣ ।୧୩।

ଢଙ୍ଗ ରଙ୍ଗ ସଂସାର ମୋହେ ଜନିତ ।

ଢଳି ଯାଉଚି ଦେଖି ହୋଇ ମୋହିତ ହେ, ଢୋଳାଇ ମୋହେ ।

ଢେଉ ଘାତରେ ଭାସେ ଥୟ ନ ହୁଏ ଯେ । ଢୋଳାଇ ମୋହେ ।୧୪।

ଅନ୍ତର୍ଯ୍ୟାମୀ କରତା ହୃଦେ ବିଚାରି ।

ଅନୁବ୍ରତେ ରଖାଅ କିଙ୍କର କରି ଯେ, ଅହର୍ନିଶିରେ ।

ଏହା ମାଗୁଛି କରଯୋଡ଼ି ଛାମୁରେ ଯେ, ଅହର୍ନିଶିରେ ।୧୫।

ତତ୍ତ୍ୱପଥ ଦେଖାଅ କରି ସୁଦୟା ।

ତିନି ତ୍ରୈଲୋକ୍ୟନାଥ ନ କର ମାୟା ଯେ, ତୁମେ ମୋହର ।

ତାରଣ କର୍ତ୍ତା ପିଣ୍ଡ ପ୍ରାଣ ଠାକୁର ଯେ, ତୁମେ ମୋହର ।୧୬।

ଥରକୁ ଥର କାଳ ଦେଖାଏ ଭୟ ।

ଥରଥର ଜୀବନ ହୁଏ ଅଥୟ ଯେ, ଥିର ଭାବରେ ।

ଥୟ କରାଅ ତବ ପାଦ ଯୁଗରେ ଯେ, ଥିର ଭାବରେ ।୧୭।

ଦରିଦ୍ର ନାଥ ତୁମେ ଅଟ ଆପଣ ।

ଦୀନ ଦୁଃଖୀକି ଏବେ କର କାରଣ ଯେ, ଦୟା କରିଣ ।

ଦୁଷ୍ଟ ମାୟା ବନ୍ଧନୁ ଏବେ କର ମୋଚନ ଯେ, ଦୟା କରିଣ ।୧୮।

 

ଭାବାର୍ଥ- (୧୩-୧୮) ହେ ଦୟାମୟ ହରି, ବଡ଼ ଭୟଙ୍କର ଏ ମାୟା ସଂସାର । ତାକୁ ଦେଖୁ ଭୀଷଣ ଡର ଲାଗୁଛି । ଭୟରେ ମୁଁ ତୁମ ପାଦତଳେ ଶରଣ ପଶୁଛି । ମୋତେ ଦୃଷ୍ଟିଦିଅ, ମୋ ପ୍ରତି ଥିବା ଡର ଭୟକୁ ଛେଦନ କର । ଢଙ୍ଗରଙ୍ଗର ଏ ସଂସାରର ମୋହରେ ମୁଁ ଜଡ଼ିତ ହୋଇ ପଡ଼ିଛି । ଏ ସବୁ ଦେଖି ମନ ଅଥୟ ହୋଇ ପଡ଼ୁଛି । ସଂସାର ସାଗରର ଢେଉ ଘାତରେ ମୁଁ ଭାସି ଯାଉଛି । ଜୀବନ ମୋର ଅଥୟ ହୋଇ ପଡ଼ୁଛି । ହେ ଅନ୍ତର୍ଯ୍ୟାମୀ କରତା, ସହୃଦୟତାର ସହ ବିଚାର କରି ମୋତେ ଦିବାରାତ୍ରି ତୁମର କିଙ୍କର କରି ରଖ । କରଯୋଡ଼ି ତୁମରି ଛାମୁରେ ଏହିତକ ମାଗୁଣି କରୁଛି । ହେ ପ୍ରଭୁ, ଦୟାବହି ମୋତେ ତତ୍ତ୍ୱମାର୍ଗ ଦେଖାଅ । ହେ ତ୍ରୈଲୋକ୍ୟନାଥ, ମୋ ପ୍ରତି ମାୟା କର ନାହିଁ । ତୁମେ ମୋର ତ୍ରାଣକର୍ତ୍ତା, ପ୍ରାଣର ଠାକୁର ।

 

ହେ ହରି, ମୋତେ ଥରକୁ ଥର କାଳ ଭୟ ଦେଖାଉଛି । ଜୀବନ ଥରହର ହେଉଛି । ମନ ଅଥୟ ହୋଇ ପଡ଼ୁଛି । ହେ ପ୍ରଭୁ, ତୁମେ ଦରିଦ୍ରର ନାଥ । ଏବେ କିନ୍ତୁ ଦୀନଦୁଃଖୀକୁ କଷ୍ଟ ଦେଉଛ । ଦୟା କରି ଦୁଷ୍ଟମାୟା ବନ୍ଧନରୁ ମୋତେ ଉଦ୍ଧାର କର ।

 

ଧନ୍ଦି ହୋଇ ଧରମେ ନ ଦେଇ ଚିତ୍ତ ।

ଧାରଣା ବୁଡ଼ାଉଛି ହୋଇ ମୋହିତ ଯେ, ଧକ୍କା ଦେଇଣ ।

ଧରିନେଇ ହୃଦରେ ଦିଅ ସୁଜ୍ଞାନ ହେ, ଧକ୍କା ଦେଇଣ ।୧୯।

ନୟନ ଅଗ୍ରେ ତୁମ୍ଭେ ଲୀଳା କରୁଛ ।

ନ କରି ଅନୁକମ୍ପା କିମ୍ପା ନ ଶୁଣୁଛ ହେ, ନିରକ୍ଷ ଜୀବେ ।

ନ ରଖ ହୃଦେ ମାୟା କହୁଛି ଏବେ ଯେ, ନିରକ୍ଷ ଜୀବେ ।୨୦।

ପୂର୍ଣ୍ଣାନନ୍ଦ ପୁରୁଷ ହେ ଅଣାକାର ।

ପର କରିଲେ ମୁହିଁ ହେବି କାହାର ହେ, ପରମବ୍ରହ୍ମ ।

ପରତେ କର ନେଇ ମୋକ୍ଷ ଭୁବନ ହେ, ପରମବ୍ରହ୍ମ ।୨୧।

ଫୁକାବନ୍ଧ ଉପରେ ବାସ ତୁମ୍ଭର ।

ଫଳାଫଳ ବିଚାର କର ମୋହର ଯେ, ଫିଙ୍ଗି ନ ଦିଅ ।

ଫେଡ଼ିଣ ସର୍ବ କ୍ଳେଶ ସଙ୍ଗତେ ନିଅ ହେ, ଫିଙ୍ଗି ନ ଦିଅ ।୨୨।

ବହୁ ଗଞ୍ଜଣାରେ ମୁଁ ଗଞ୍ଜି ହେଉଛି ।

ବିଷୟା ଦ୍ୱନ୍ଦ୍ୱେ ପଡ଼ି ସରିଯାଉଛି ହେ, ବୁଦ୍ଧି ବିବେକ ।

ବଣା ହୋଇଗଲାଣି ମୋହର ଦେଖ ହେ, ବୁଦ୍ଧି ବିବେକ ।୨୩।

ଭକ୍ତ ବତ୍ସଳ ନାଥ ସୁକୃପା କରି ।

ଭବ ଭୟ ଦୁଃଖରୁ କରନ୍ତୁ ପାରି ଯେ, ଭାବେ ଅନନ୍ତ ।

ଭବେ ଭୟ ନ ରହୁ ଜଗତ ତାତ ହେ, ଭାବେ ଅନନ୍ତ ।୨୪।

 

ଭାବାର୍ଥ- (୧୯-୨୪) ହେ ପ୍ରଭୁ, ସାଂସାରିକ ମୋହରେ ଧନ୍ଦି ହୋଇ ଧର୍ମରେ ମନ ଦେଇପାରି ନାହିଁ । ପାପ ପଙ୍କରେ ପଡ଼ି ମାନ ମହତକୁ ବୁଡ଼ାଇଛି । ମୋତେ ଧକ୍‌କା ମାରି ମୋ ହୃଦୟରେ ସୁଜ୍ଞାନ ଭରିଦିଅ । ଜଗତକରତା ହରି, ତୁମର ଲୀଳା ମୋ ନୟନ ଆଗରେ ନାଚି ଉଠୁଛି । ନିରକ୍ଷ ଜୀବକୁ ଦୟା କରୁନାହିଁ କିମ୍ବା ତା’ ଡାକ ଶୁଣନାହିଁ । ହୃଦୟରେ ମାୟା ନ ରଖି ପ୍ରଭୁ ହେ ଏ ଜୀବନକୁ ରଖ । ହେ ପୂର୍ଣ୍ଣାନନ୍ଦ ପୁରୁଷ, ହେ ଅଣାକାର, ମୋତେ ତୁମେ ପର କରି ଦେଉଛ, ମୁଁ ଏବେ କାହାର ହେବି ? ହେ ପରଂବ୍ରହ୍ମ, ମୋତେ ମୋକ୍ଷ ଭୁବନକୁ ନେଇ ଯାଅ । ହେ ଦୟାମୟ, ଫୁକାବନ୍ଧ ଉପରେ ତୁମର ବାସସ୍ଥାନ । ମୋର ଭଲମନ୍ଦ ବିଚାର କର । ମୋତେ ନିଜର କର । ଫିଙ୍ଗିଦିଅ ନାହିଁ । ମୋର ସବୁ ଦୁଃଖକଷ୍ଟକୁ ଫେଡ଼ି ମୋତେ ସଙ୍ଗରେ ନିଅ ।

 

ହେ ହରି, ସଂସାରରେ ମୁଁ ବହୁ ଦୁଃଖ କଷ୍ଟରେ ଗଞ୍ଜି ହେଉଛି । ବିଷୟ ଜଞ୍ଜାଳରେ ପଡ଼ି ଘାଣ୍ଟି ହେଉଛି । ବୁଦ୍ଧିବିବେକ ସବୁ ମୋର ବଣା ହୋଇଗଲାଣି । ହେ ଭକ୍ତବତ୍ସଳ ନାଥ, ସୁକୃପା କରି ଏ ଭବଭୟ ଦୁଃଖରୁ ପାରି କର । କବି ଅନନ୍ତ ପ୍ରଭୁଙ୍କୁ ପ୍ରାର୍ଥନା କରୁଛନ୍ତି, ହେ ଦୟାମୟ, ଜଗତ ପିତା, ଭବ ଭୟରୁ ମୋତେ ତ୍ରାହିକର ।

 

ମହତ ପୁରୁଷ ତୁମ୍ଭେ ହେ ମହାବ୍ରହ୍ମ ।

ମହିମା କେ ତୁମ୍ଭର କରେ ବର୍ଣ୍ଣନ ହେ, ମହୀ ଉପର ।

ମଲେଣି କେତେ କେତେ ବହି ଶରୀର ଯେ, ମହୀ ଉପର ।୨୫।

ଜାଣିତ ନ ପାରିଲେ ନିଜ ସ୍ୱରୂପ ।

ଯତନେ କେତେ ଜ୍ଞାନୀ ଧ୍ୟାନୀ ସେବକ ହେ, ଯଜ୍ଞ ବ୍ରତରେ ।

ଯାଇଅଛନ୍ତି ଭ୍ରମି ନ ଚିହ୍ନିବାରେ ଯେ, ଯଜ୍ଞ ବ୍ରତରେ ।୨୬।

ରଙ୍ଗରସରେ ପଶିକରି ସରବେ ।

ରତ୍ନ ନ ଚିହ୍ନି ଭ୍ରମୁଛନ୍ତି ଗରବେ ଯେ, ରସି ରୂପରେ ।

ରହି ନ ପାରୁଛନ୍ତି ତବ ଭକ୍ତିରେ ଯେ, ରସି ରୂପରେ ।୨୭।

ଲକ୍ଷ୍ୟ ଦେବାକୁ ତିନିପୁରେ କେ ନାହିଁ ।

ଲାବଣ୍ୟବନ୍ତ ସ୍ୱାମୀ ସେ ଶୂନ୍ୟଦେହୀ ଯେ, ଲବେ ବିଚାରି ।

ଲୟ ଆଶ୍ରିତ ରଖ ଲାଳିତ କରି ଯେ, ଲବେ ବିଚାରି ।୨୮।

ବିଶ୍ୱବ୍ୟାପକ ତୁମ୍ଭେ ହେ ଅଣାକାର ।

ବିଜେ କରି ରହିଛ ସଚରାଚର ହେ, ବହୁତ ପରେ ।

ବ୍ରହ୍ମଜ୍ଞାନୀ ତୁମ୍ଭଙ୍କୁ ଜାଣେ ଅନ୍ତରେ ଯେ, ବହୁତ ପରେ ।୨୯।

 

ଭାବାର୍ଥ- (୨୫-୨୯) ହେ ମହତ ପୁରୁଷ, ତୁମେ ହିଁ ମହାବ୍ରହ୍ମ । ଅସୀମ ତୁମର ମହିମା । କିଏ ବା ତାକୁ ବର୍ଣ୍ଣନା କରିପାରିବ ? ସଂସାରରେ କେତେ ଲୋକ ଜନ୍ମ ନେଇ ଚାଲିଗଲେଣି । ନିଜ ସ୍ୱରୂପକୁ କିନ୍ତୁ କେହି ଜାଣି ପାରିଲେ ନାହିଁ । କେତେ ଜ୍ଞାନୀ, ଧ୍ୟାନୀ, ସେବକ ଯଜ୍ଞବ୍ରତ କରିଛନ୍ତି । ଅଥଚ ତାଙ୍କୁ ନ ପାଇ ଭ୍ରମରେ ପଡ଼ିଛନ୍ତି, ଚିହ୍ନିପାରୁନାହାନ୍ତି ।

 

ହେ ସ୍ୱାମି, ସଂସାରର ରଙ୍ଗରସରେ ମାତି ଲୋକମାନେ ପାଗଳ ହୋଇ ଯାଇଛନ୍ତି । କୁତ୍ସିତ ରୂପ ରସରେ ପଡ଼ି ତୁମ ଭକ୍ତି ରଜ୍ଜୁରେ ବାନ୍ଧି ହୋଇ ପାରୁନାହାନ୍ତି । ରତ୍ନକୁ ଚିହ୍ନି ପାରୁନାହାନ୍ତି ବା ତୁମକୁ ଜାଣି ପାରୁନାହାନ୍ତି । ଗର୍ବରେ ଅନ୍ଧ ହୋଇ ଯାଇଛନ୍ତି । ହେ ଶୂନ୍ୟଦେହି, ଲାବଣ୍ୟବନ୍ତ ସ୍ଵାମି, ତୁମର ସମାନ ହେବାକୁ ସଂସାରରେ କେହି ନାହାନ୍ତି । ମୋ କଥାକୁ ସାମାନ୍ୟ ବିଚାର କରି ମୋତେ ଆଶ୍ରିତ କରି ରଖ । ହେ ଅଣାକାର, ତୁମେ ବିଶ୍ୱବ୍ୟାପକ, ସଚରାଚର ଜଗତରେ ବ୍ୟାପି ରହିଛି । ସଭିଙ୍କ ଉପରେ ରହିଛ । ବ୍ରହ୍ମଜ୍ଞାନୀମାନେ ଅନ୍ତର ମଧ୍ୟରେ ତୁମକୁ ଜାଣନ୍ତି ବା ତୁମକୁ ଦେଖି ପାରୁଛନ୍ତି।

 

ସମ ସନ୍ତୋଷ ହୃଦ ହୋଇ ଯେ ଜନ ।

ସଦାବେଳେ ତୁମ୍ଭଙ୍କୁ କରଇ ଧ୍ୟାନ ହେ, ସାହା ତାହାକୁ ।

ଶ୍ରୀକରେ ରଖ ନେଇ ବହି ଦୟାକୁ ଯେ, ସାହା ତାହାକୁ ।୩୦।

ସଂସାର ସାଗରରେ ହେ ପରଂବ୍ରହ୍ମ ।

ସାହାପକ୍ଷ ହୋଇଣ କର କାରଣ ଯେ, ଶ୍ରୀଗୁରୁଦେବ ।

ଶରଣ ମାଗେ ତବ ଶ୍ରୀ ପାଦଯୁଗ ଯେ, ଶ୍ରୀଗୁରୁଦେବ ।୩୧।

ସଦା ସର୍ବଦା ନେଇ ରଖ ସସଙ୍ଗେ ।

ଶ୍ରୀଛାମୁରେ ଜଣାଣ କରୁଛି ଏବେ ଯେ, ସନ୍ତାପ ସ୍ରୋତୁ ।

ସନ୍ତରଣ କରାଇଦିଅ ସୁହେତୁ ଯେ, ସନ୍ତାପ ସ୍ରୋତୁ ।୩୨।

ହରତା କରତା ତୁମ୍ଭେ ହେ ବିଶ୍ୱେଶ୍ୱର ।

ହାନିଲାଭ ଜଣାଏ ତବ ପୟର ହେ, ହର ଦୂରିତ ।

ହଟହଟା ନ କର ଜଗତ ତାତ ହେ, ହର ଦୂରିତ ।୩୩।

କ୍ଷମା ମାଗୁଛି ମୁହଁ ପଡ଼ି ଛାମୁରେ ।

କ୍ଷମ ଅପ୍ରାଧ ଚାହିଁ କୃପା ନେତ୍ରରେ ହେ, କ୍ଷମାସାଗର ।

କ୍ଷମେ ଅନନ୍ତ କହେ କର ଉଦ୍ଧାର ହେ, କ୍ଷମାସାଗର ।୩୪।

 

ଭାବାର୍ଥ- (୩୦-୩୪) ହେ ଦୟାନିଧି, ତୁମକୁ ସର୍ବଦା ଯିଏ ହୃଦୟରେ ସନ୍ତୋଷ ଭାବ ପ୍ରକାଶ କରି ଧ୍ୟାନ କରେ, ତାକୁ ସହାୟ ହୋଇଥାଅ । ଦୟାନିଧି ତାକୁ ଶ୍ରୀକରରେ ଟେକିଧର । ହେ ପରଂବ୍ରହ୍ମ, ସଂସାର ସାଗର ମଧ୍ୟରେ ମୁଁ ଉବୁଟୁବୁ ହେଉଛି । ତୁମ ପାଦ ଯୁଗଳରେ ପଡ଼ି ଶରଣ ମାଗୁଛି, ସାହା ହୁଅ । ସଦାସର୍ବଦା ନେଇ ମୋତେ ତୁମ ସଙ୍ଗରେ ରଖ । ହେ ଦୟାମୟ, ଶ୍ରୀ ଛାମୁରେ ଜଣାଣ କରୁଛି, ସାଂସାରିକ ସନ୍ତାପ ସ୍ରୋତରୁ ସନ୍ତରଣ କରାଇଦିଅ ବା ପାରି କରାଇ ଦିଅ ।

 

ହେ ବିଶ୍ଵେଶ୍ଵର, ତୁମେ ମୋର ହର୍ତ୍ତାକର୍ତ୍ତା । ମୋର ହାନିଲାଭ, ଦୁଃଖ କଷ୍ଟକୁ ତୁମ ପାଦତଳେ ଜଣାଉଛି । ହେ ଜଗତପିତା, ମୋତେ ହଟହଟା ନ କର । ମୋ ଦୁଃଖକୁ ଦୂର କର । ହେ ପ୍ରଭୁ, ମୁଁ ତୁମ ପାଦ ତଳେ ପଡ଼ି କ୍ଷମା ମାଗୁଛି । କୃପା ନେତ୍ରରେ ଚାହିଁ ମୋ ଅପରାଧକୁ କ୍ଷମା କର । ହେ କ୍ଷମାସାଗର, ଦୀନ ଅନନ୍ତ କହେ, ହେ ଅନ୍ତର୍ଯ୍ୟାମି, ମୋତେ ଉଦ୍ଧାର କର ।