Unknown

କରୁଅଛି ମୁଁ ପାଦେ ବିନତି

ସିଦ୍ଧସାଧୁ ଅନନ୍ତ ବାବା

 

(କବିଙ୍କର ଇଏ ଏକ ଉତ୍କୃଷ୍ଟ ଜଣାଣ ଚଉତିଶା । ଭାବ ଭକ୍ତିରେ ପରିପୂର୍ଣ୍ଣ । ପ୍ରଭୁଙ୍କ ମହିମା ଏଥିରେ ବର୍ଣ୍ଣିତ । ସଂସାର ସାଗରରୁ ମୁକ୍ତି ପାଇଁ କବିଙ୍କ ନିବେଦନ ଚଉତିଶାର ମୁଖ୍ୟ ପ୍ରସଙ୍ଗ ।)

 

କରୁଅଛି ମୁଁ ପାଦେ ବିନତି,

କୃପାକର ହେ ଜଗତ ପତି ।

କଳିଯୁଗେ ମୁହିଁ ଜାତ ହୋଇକରି ବହୁ କଷ୍ଟ ପାଏ ଦିବା ରାତି ।

ହେ ଶ୍ରୀଗୁରୁ ।୧।

କ୍ଷମା ସାଗର ତୁମ୍ଭେ ବୋଲାଅ,

କ୍ଷମା କର ମୋ ଦୁଃଖ ସଂଶୟ ।

କ୍ଷୀରସିନ୍ଧୁ ବାସୀ ବୋଲାଅ ଆପଣ, ଖଣ୍ଡିଦିଅ ମୋର ଦୁଃଖଭୟ ।

ହେ ଶ୍ରୀଗୁରୁ ।୨।

ଗୁରୁ ପିତାମାତା ତୁମ୍ଭେ ମୋର,

ଗରିବର ପତି କୃପା କର ।

ଗହନ ମାୟା ବନ୍ଧନୁ ପାରିକରି ଗତି ପଥେ ରଖ ନିରନ୍ତର ।

ହେ ଶ୍ରୀଗୁରୁ ।୩।

ଘଟେ ତୁମ୍ଭେ ରହିଅଛ ପୂରି,

ଘଟ ବାହାରେ ଅଛ ଆବୋରି ।

ଘୋଟି ରହିଅଛ ତ୍ରିପୁର ଜଗତ, ଘଟଣ ମୂରତି ରୂପ ଧରି ।

ହେ ଶ୍ରୀଗୁରୁ ।୪।

ଅନ୍ତର୍ଯ୍ୟାମୀ ନାମ ଯେ ତୁମ୍ଭର,

ଅନ୍ତର୍ଗତେ ଜାଣି କୃପା କର ।

ଅନୁସରି ଅଛି ତବ ପାଦଗତେ ଅନୁଗ୍ରହ ବାରେ ମାତ୍ର କର ।

ହେ ଶ୍ରୀଗୁରୁ ।୫।

ଚିଦାନନ୍ଦ ପୂର୍ଣ୍ଣ ବ୍ରହ୍ମ ମୂର୍ତ୍ତି,

ଚିତ୍ତେ ପ୍ରସନ୍ନ ହୋଇ ଝଟତି ।

ଚିର ଦୁଃଖ ମୋର କର ନିବାରଣ ଚରିତାର୍ଥ କର ଦେଇ ଗତି ।

ହେ ଶ୍ରୀଗୁରୁ ।୬।

 

ଭାବାର୍ଥ- (୧-୬) କବି ଭଗବାନଙ୍କୁ ପ୍ରାର୍ଥନା କରି କହୁଛନ୍ତି- ହେ ଜଗତପତି, ମୁଁ ତୁମ ପାଦତଳେ ବିନତି ଜଣାଉଛି, ମୋତେ କୃପା କର । କଳିଯୁଗରେ ମୁଁ ଜନ୍ମନେଇ ଦିବାରାତ୍ରି ବହୁତ କଷ୍ଟ ପାଉଛି । ହେ ଶ୍ରୀଗୁରୁ, ତୁମେ କ୍ଷମାସାଗର ମୋ ଦୁଃଖ ସଂଶୟ ଦୂର କର । ତୁମେ କ୍ଷୀର ସିନ୍ଧୁବାସୀ, ମୋର ଦୁଃଖଭୟକୁ ଖଣ୍ଡନ କର । ହେ ଶ୍ରୀଗୁରୁ, ତୁମେ ମୋର ଗୁରୁ, ପିତାମାତା, ଗରିବର ପତି, ମୋତେ କୃପା କର । ଗହନ ମାୟା ବନ୍ଧନରୁ ପାରି କରି ନିରନ୍ତର ଗତି ପଥରେ ରଖ । ହେ ଦୟାମୟ, ସକଳ ଘଟରେ ତୁମେ ପୂରି ରହିଛି, ପୁଣି ଘଟ ବାହାରେ ଆବୋରି ରହିଛ । ଘଟଣ ମୂର୍ତ୍ତି ଧରି ତ୍ରିପୁର ଜଗତରେ ଘୋଟି ରହିଛି ।

 

ହେ ଶ୍ରୀଗୁରୁ, ଅନ୍ତର୍ଯ୍ୟାମୀ ନାମକୁ ବହିଛ, ସମସ୍ତଙ୍କ ଅନ୍ତରର କଥା ଜାଣୁଛ । ମୋ ହୃଦୟର ଦୁଃଖ କଥା ବୁଝି ମୋ ପ୍ରତି ଦୟାବାନ ହୁଅ । ତୁମ ପାଦତଳେ ଅନୁସରଣ କରି ରହିଛି, ମୋତେ ଅନୁଗ୍ରହରୁ ବଞ୍ଚିତ କରିନାହିଁ । ହେ ଶ୍ରୀଗୁରୁ, ଚିଦାନନ୍ଦ ପୂର୍ଣ୍ଣବ୍ରହ୍ମ ମୂର୍ତ୍ତି, ପ୍ରସନ୍ନଚିତ୍ତ ହୋଇ ମୋର ଚିର ଦୁଃଖରାଶିକୁ ନିବାରଣ କର । ଗତିପଥ ଦେଖାଇ ମୋତେ ଚରିତାର୍ଥ କର ।

 

ଛଡ଼ଚକ୍ର ଊର୍ଦ୍ଧ୍ୱେ ତବ ବାସ,

ଛାର ବିପତ୍ତି ମୋହର ନାଶ ।

ଛନ୍ଦ କପଟ ମୋ ହୃଦୟରୁ ଯାଉ ଛନ୍ଦି ରହୁ ନାମେ ଅହର୍ନିଶ ।

ହେ ଶ୍ରୀଗୁରୁ ।୭।

ଜଗତରେ ଯେତେ ଜୀବ ଛନ୍ତି,

ଯାତାୟାତ ଆଜ୍ଞାରେ କରନ୍ତି ।

ଦୂର ତ୍ରିତାପ, ଅଙ୍ଗକୁ ନ ଲାଗଇ, ଯତନେ ଯେ କରେ ତବ ଭକ୍ତି ।

ହେ ଶ୍ରୀଗୁରୁ ।୮।

ଝଟ ଝଟ ତୁମ୍ଭର ସ୍ୱରୂପ,

ଝଳି ବିରାଜିଛି ଏ ତ୍ରୈଲୋକ୍ୟ ।

ଝାଡ଼ ବନେ ପଶି ନ ଚିହ୍ନିପାରନ୍ତି, ଝାଉଁ ମାୟାରେ ହୋଇ ବିଲିପ୍ତ ।

ହେ ଶ୍ରୀଗୁରୁ ।୯।

ନୟନାଭ୍ୟନ୍ତରେ ତବ ବାସ,

ନର ତନୁରେ ନୁହ ଯେ ଦୃଶ୍ୟ ।

ନିଶିଦିନ ଯେହୁ ଭାବଇ ହୃଦରେ, ନର ଦେହ ନୁହେଁ ତାର ବାସ ।

ହେ ଶ୍ରୀଗୁରୁ ।୧୦।

ଟାଣପଣରେ ନାମ ତୁମ୍ଭର,

ଟେକି ନ ଭଜଇ ଯେ ମୁଖର ।

ଟାଣ ମାୟା ସ୍ରୋତେ ପଡ଼ି ନିରନ୍ତର, ଟୋପେ ପଡ଼ି ହୁଏ ନାରଖାର ।

ହେ ଶ୍ରୀଗୁରୁ ।୧୧।

ଠକପଣ ଛାଡ଼ି ହୃଦୟରୁ,

ଠିକେ ଆଶ୍ରେ କରି ସଦଗୁରୁ ।

ଠଣ ମୂରତିଙ୍କ ପାଦେ କରି ଭକ୍ତି, ଠିକେ କହେ ଅନନ୍ତ ଦୁର୍ମତି ।

ହେ ଶ୍ରୀଗୁରୁ ।୧୨।

 

ଭାବାର୍ଥ- (୭-୧୨) ହେ ଶ୍ରୀଗୁରୁ, ମନୁଷ୍ୟର ଷଡ଼ଚକ୍ର (ଆଧାର ଚକ୍ର, ଲିଙ୍ଗ ଚକ୍ର, ନାଭିଚକ୍ର, ହୃଦୟଚକ୍ର, କଣ୍ଠଚକ୍ର ଓ ରାଧାଚକ୍ର) ଊର୍ଦ୍ଧ୍ୱରେ ତୁମେ ବାସ କରିଛ । ମୋର ବିପତ୍ତିକୁ ଦୂର କର । ମୋ ହୃଦୟରୁ ଛନ୍ଦ କପଟ ଯାଉ । ତୁମ ନାମକୁ ଦିବାରାତ୍ରି ମୁଁ ଘୋଷିବି । ହେ ଶ୍ରୀଗୁରୁ, ଜଗତର ସମସ୍ତ ଜୀବ, ସଚରାଚର ପ୍ରାଣୀ ତୁମରି ଆଜ୍ଞାରେ ଆତଯାତ ହେଉଛନ୍ତି । ଶ୍ରଦ୍ଧାର ସହିତ ତୁମରି ନାମକୁ ଯିଏ ଧାନ କଲା, ତା ଶରୀରକୁ ଦୁଃଖ, କଷ୍ଟର ଯନ୍ତ୍ରଣା ସ୍ପର୍ଶ କରିପାରିବ ନାହିଁ । ହେ ପ୍ରଭୁ, ତୁମର ତେଜ ବିଜୁଳିର ଝଟକ ପରି ଝଟକୁଛି, ତାହା ଏ ତିନିଲୋକକୁ ଆଲୌକିକ ତେଜରେ ଉଦ୍‌ଭାସିତ କରୁଛି । ସାଂସାରିକ ମୋହ ମାୟାରେ ପଡ଼ି, ବନ ମଧ୍ୟରେ ରହି ତୁମର ସ୍ୱରୂପକୁ ଜାଣିପାରୁନାହାନ୍ତି ।

 

ହେ ଶ୍ରୀଗୁରୁ, ମନୁଷ୍ୟ ନୟନ ଅଭ୍ୟନ୍ତରରେ ତୁମର ବାସସ୍ଥାନ । ମନୁଷ୍ୟ ଦେହରେ ତେଣୁ ଦୃଶ୍ୟମାନ ହେଉନାହଁ । ଦିବାରାତ୍ରି ଯିଏ ତୁମକୁ ହୃଦୟ ମଧ୍ୟରେ ଭାବୁଥାଏ, ସିଏ ନରଦେହରୁ ଊର୍ଦ୍ଧ୍ୱକୁ ଉଠିଯିବ ବା ନର ଦେହ ଆଉ ପାଇବ ନାହିଁ । ହେ ଜଗତପତି, ତୁମର ନାମକୁ ଭଜି ମଣିଷ ଟାଣପଣ ଧରିଛି । ନଚେତ୍ ତା’ର ଅସ୍ତିତ୍ୱ ରହିବ ନାହିଁ । ମୁଖ ଟେକି ଅର୍ଥାତ୍ ଭକ୍ତିଭରା ହୃଦୟରେ ଯିଏ ତୁମ ନାମକୁ ନିରନ୍ତର ଧ୍ୟାନ କରିନାହିଁ, ସିଏ ଏ ମିଛ ମାୟା ସଂସାରର ଗର୍ତ୍ତରେ ପଡ଼ି ନାରଖାର ହେଉଥିବ । ହେ ଶ୍ରୀଗୁରୁ, ଯିଏ ହୃଦୟରୁ ଠକପଣ ଛାଡ଼ି, ଉପଯୁକ୍ତ ମାର୍ଗରେ ସଦ୍‌ଗୁରୁଙ୍କୁ ଆଶ୍ରା କରିଥିବ, ପ୍ରଭୁଙ୍କ ପାଦତଳେ ଭକ୍ତିଭାବ ରଖିଥିବ, ସିଏ ନିଶ୍ଚୟ ଏ ପାପ ସଂସାରରୁ ମୁକ୍ତି ପାଇବ । ଶ୍ରୀଗୁରୁଙ୍କ ପାଦଧ୍ୟାୟି ଦୁର୍ମତି ଅନନ୍ତ ଏହା କହିଲେ ।

 

ଡର ମାନୁଅଛି ଅନ୍ତର୍ଗତେ,

ଦେଖି ସଂସାର ଅନ୍ୟାୟ ନେତ୍ରେ ।

ଡଙ୍ଗାରେ ବସାଇ ପାରିକରି ନିଅ, ଡେରି ରଖାଅ ତବ ନିକଟେ ।

ହେ ଶ୍ରୀଗୁରୁ ।୧୩।

ଢମାଳିଆ ପଣେ ମାତିକରି,

ଢଙ୍ଗରଙ୍ଗରେ ହୋଇଣ ଘାରି ।

ଢେଉ ସ୍ରୋତ ଘାତେ ଭାସିଣ ଯାଉଛି ଢାଳେ ତବ ନାମକୁ ନ ଧରି ।

ହେ ଶ୍ରୀଗୁରୁ ।୧୪।

ଅଣ ଆୟତ୍ତରେ ପଡ଼ିକରି,

ଅନ୍ତର୍ଗତେ ନାମ ନ ସୁମରି ।

ଅନୁକ୍ଷଣେ ମୋହେ ଘାରି ହେଉଅଛି ଅଣ ବିଚାରେ ଦିବା ଶର୍ବରୀ ।

ହେ ଶ୍ରୀଗୁରୁ ।୧୫।

ତତ୍ତ୍ୱ ପଥେ ନ ଚଳୁଛି ମନ,

ତିନିଗୁଣେ ହୋଇ ବର୍ଦ୍ଧମାନ ।

ତରିବା ପଥକୁ ଚିତ୍ତେ ନ ସୁମରି ତରକରେ ନେଉଅଛି ଦିନ ।

ହେ ଶ୍ରୀଗୁରୁ ।୧୬।

ସ୍ଥିର ସ୍ୱଭାବ ମୋହର ନାହିଁ,

ଥରଥର ହେଉଅଛି ରହି ।

ଥରକୁ ଥର ବିପତ୍ତି ପଡ଼ୁଅଛି, ସ୍ଥାନ ସ୍ଥିତି ନ ମିଳୁଛି କାହିଁ ।

ହେ ଶ୍ରୀଗୁରୁ ।୧୭।

ଦଣ୍ଡ ପଡ଼ୁଅଛି ବେଳୁବେଳ,

ଦାଣ୍ଡେ ଇଜତ ଗଲା ସକଳ ।

ଦୁରୁଦାନ୍ତ ଦେବ କୂଟ ପଡ଼ୁଅଛି, ଦୟା କର ଆଦିମୂଳ ।

ହେ ଶ୍ରୀଗୁରୁ ।୧୮।

ଧର୍ମ ଧରି ହେଉଅଛି ଘାରି,

ଧାରଣାରେ ରହି ଯେ ନ ପାରି ।

ଧର୍ମ ଧରି ଧନ୍ଦଳ ହେଉଅଛି ପ୍ରବଳ, ଧନ୍ଦା ଲାଗିଛି ଦିବା ଶର୍ବରୀ ।

ହେ ଶ୍ରୀଗୁରୁ ।୧୯।

ନୟନାଗ୍ରେ ଚାହିଁଣ ଝଟତି,

ନାଶ କର ଏ ସର୍ବ ବିପତ୍ତି ।

ନ କର ଅନ୍ତର ଦୁଃଖ କର ଦୂର ନିଦା ବ୍ରହ୍ମ ହେ ଜଗତ ପତି ।

ହେ ଶ୍ରୀଗୁରୁ ।୨୦।

ପର ଅପର ଭାବିଣ ଚିତ୍ତେ,

ପାପେ ଦଗଧି ହେଉଛି ନିତ୍ୟେ ।

ପରମ ପୁରୁଷ ବୋଲାଅ ଆପଣ, ପାରି କର ଏବେ ଦୟା ଚିତ୍ତେ ।

ହେ ଶ୍ରୀଗୁରୁ ।୨୧।

 

ଭାବାର୍ଥ- (୧୩-୨୧) ହେ ଶ୍ରୀଗୁରୁ, ଏ କଳିଯୁଗରେ ସଂସାରର ଅନୀତି, ଅନ୍ୟାୟ ଚକ୍ଷୁରେ ଦେଖି ଅନ୍ତର ମଧ୍ୟରେ ଭୟ ପାଉଛି । ଏ ଭବସାଗରରୁ ଡଙ୍ଗାରେ ବସାଇ ପାରିକରି ନିଅ । ଆଶ୍ରା ଦେଇ ତୁମ ପାଖରେ ରଖ । ମୁର୍ଖ ପଣରେ ମାତି, ଢଙ୍ଗରଙ୍ଗରେ ଘାରି ହୋଇ ତୁମ ନାମକୁ ଭୁଲିଯାଇଛି । ସଂସାର-ଢେଉ ସ୍ରୋତ ଘାତରେ ଭାସିଯାଉଛି । ମୋତେ ଏଥିରୁ ଉଦ୍ଧାର କର । ହେ ଜଗତକରତା, ଦୟାମୟ, ମୁଁ ନିଜକୁ ଭୁଲି ଅଣଆୟତ୍ତ ହୋଇପଡ଼ିଛି । ତୁମର ପବିତ୍ର ନାମକୁ ଅନ୍ତର ମଧ୍ୟରେ ସ୍ମରଣ କରିପାରି । ନାହିଁ । ପ୍ରତିକ୍ଷଣରେ ମୋହମାୟାରେ ପଡ଼ି ଘାରି ହେଉଛି । ଦିବାରାତ୍ରି ବିଷୟ ଆସକ୍ତି ଭଳି ଖରାପ ଚିନ୍ତାରେ ମାତିଛି । ହେ ଶ୍ରୀଗୁରୁ, ସତ୍ୟ, ତତ୍ତ୍ଵ ପଥରେ ମନ ବଳୁନାହିଁ । ଫଳରେ ପଥଭ୍ରଷ୍ଟ ହୋଇ ପଡ଼ୁଛି । ସତ୍ତ୍ୱ, ରଜ, ଗୁଣ- ଏହି ତିନିଗୁଣରେ ବୃଦ୍ଧିଶୀଳ ହୋଇ ମୁଁ ତରିବା ପଥକୁ ଭୁଲିଯାଇଛି । ସର୍ବଦା ତରକରେ ବା ବସି ବସି ବୃଥାରେ ଦିନ କାଟୁଛି ।

 

ହେ ଶ୍ରୀଗୁରୁ, ସ୍ଥିର ଭାବରେ ତୁମକୁ ମୁଁ ଧ୍ୟାନ ଜପ କରି ପାରୁନାହିଁ । ସ୍ଥିର ସ୍ଵଭାବ ମୋର ନାହିଁ । ସର୍ବଦା ଦେହ, ମନ ଥର ଥର ହେଉଛି । ଥରକୁ ଥର ବିପତ୍ତି ମାଡ଼ି ଆସୁଛି, ସ୍ଥାନ, ସ୍ଥିତି କିଛି ପାଉନାହିଁ । ହେ ଶ୍ରୀଗୁରୁ, ବେଳକୁ ବେଳ ମୋ ଉପରେ ଦଣ୍ଡ ପଡ଼ୁଛି । ଦାଣ୍ଡ ଘାଟରେ ମୋର ସକଳ ଇଜ୍ଜତ ଚାଲି ଯାଉଛି । ଦୁର୍ଦ୍ଦାନ୍ତ ଦେବକୂଟ ମୋ ଉପରେ ଦାଉ ସାଧୁଛି । ହେ ଆଦିମୂଳ, ଏ ସବୁ ବିପତ୍ତରୁ ମୋତେ ଉଦ୍ଧାର କର । ହେ ଶ୍ରୀଗୁରୁ, ସଂସାରରେ ଘାରି ହୋଇ ଧର୍ମଧାରଣାରେ ରହି ପାରୁନାହିଁ । ଧର୍ମକୁ ଧରି ଧନ୍ଦି ହେଉଛି । ଦିନରାତି ପ୍ରବଳ ଧନ୍ଦାରେ ମାତିଛି । ହେ ଶ୍ରୀଗୁରୁ, ନୟନ କୋଣରେ ଚାହିଁ ମୋର ଏ ବିପତ୍ତି ସବୁକୁ ନିବାରଣ କର । ହେ ଜଗତପତି, ହେ ନିଦାବ୍ରହ୍ମ, ମୋତେ ଅନ୍ତର କରିଦିଅ ନାହିଁ, ମୋର ଦୁଃଖ କଷ୍ଟକୁ ଦୂର କର । ମନ ମଧ୍ୟରେ ମୋର ସର୍ବଦା ପରଆପଣା ଭାବ ବସା ବାନ୍ଧିଛି । ଫଳରେ ଅହରହ ପାପରେ ଦଗ୍‌ଧୀଭୂତ ହେଉଛି । ପରମପୁରୁଷ ତୁମେ । ଦୟାକରି ମୋତେ ଏ ଦୁଃଖଯନ୍ତ୍ରଣାରୁ ପାରି କର ।

 

ଫିସାଦିଆ ବୁଦ୍ଧି ଏବେ କରି,

ଫାନ୍ଦେ ପଡ଼ି ହେଉଅଛି ଘାରି ।

ଫଳ ଆଶେ ନାନା କର୍ମ ଯେ ଆଚରି, ଫୁଟି ମରୁଛି ଦିବା ଶର୍ବରୀ ।

ହେ ଶ୍ରୀଗୁରୁ ।୨୨।

ବୁଦ୍ଧି ବିବେକ ଯାଉଛି ହଜି,

ବିଷୟାରେ ରହିବାରୁ ମଜ୍ଜି ।

ବଣା ହୋଇ ନାନା ଅପଥେ ଗମନ, ବଳେ କରୁଛି ନ ପାରି ହେଜି ।

ହେ ଶ୍ରୀଗୁରୁ ।୨୩।

ଭବ ଭୟ ନାଶନ ଆପଣ,

ଭାବେ ଉଦ୍ଧାର କର ବହନ ।

ଭରସା କେବଳ ତବ ପାଦଗତେ, ଭାବି କହଇ ଅନନ୍ତ ହୀନ ।

ହେ ଶ୍ରୀଗୁରୁ ।୨୪।

ମନ ମାତଙ୍ଗ ଯେ ଅନୁକ୍ଷଣ,

ମାତିଅଛି ବିଷୟାରେ ଜାଣ ।

ମହତ ପଥରେ ଚିତ୍ତ ନ ଦେଇଣ, ମରୁଅଛି ହୋଇ ହୀନିମାନ ।

ହେ ଶ୍ରୀଗୁରୁ ।୨୫।

ଯମ ଯାତନାରେ ଅଛି ପଡ଼ି,

ଯାଉଅଛି ମୁଁ ଭବରେ ବୁଡ଼ି ।

ଜଗତ କରତା ହୃଦରେ ବିଚାରି, ଜଗତରୁ ଦିଅ ମୋତେ ତଡ଼ି ।

ହେ ଶ୍ରୀଗୁରୁ ।୨୬।

ରାଗ ଈର୍ଷାରେ ନହୋଇ ମତ୍ତ,

ରହୁ ଔଦାର୍ଯ୍ୟ ଭାବ ଧରିତ ।

ରମ୍ୟ ପଦାର୍ଥ ଯେତେକ ଏ ସଂସାରେ, ରସି ନ ବଳାଅ ଆଉ ଚିତ୍ତ ।

ହେ ଶ୍ରୀଗୁରୁ ।୨୭।

ଲୟ ତୁମ୍ଭରି ପାଦ ପଦ୍ମରେ,

ଲାଖି ରହୁ ଯେ ଅନୁବ୍ରତରେ ।

ଲୋଭ ମୋହ ଆଦି କାମ କ୍ରୋଧ ଯେତେ, ଲବେ ନ ରହୁ ଏ ଅନ୍ତରେ ।

ହେ ଶ୍ରୀଗୁରୁ ।୨୮।

 

ଭାବାର୍ଥ- (୨୨-୨୮) ହେ ଶ୍ରୀଗୁରୁ, ପାପପୂର୍ଣ୍ଣ ସଂସାରର ମୋହରେ ମୁଁ ପଡ଼ିଛି । ଫିସାଦିଆ ବୃଦ୍ଧି କରି ଫାନ୍ଦରେ ପଡ଼ିଯାଇଛି ଓ ଘାରି ହେଉଛି । କିଛି ଫଳ ପାଇବା ଆଶାରେ ନାନାଧନ୍ଦା, କୁକର୍ମ କରୁଛି । ଫଳରେ ସଂସାର ତାପରେ ଦିବାରାତ୍ରି ଫୁଟି ମରୁଛି । ହେ ଶ୍ରୀଗୁରୁ, ସାଂସାରିକ ଆସକ୍ତି, ବିଷୟାସକ୍ତରେ ମଜ୍ଜି ରହିଥିବାରୁ ମୋର ବୁଦ୍ଧିବିବେକ ସବୁ ହଜି ଯାଉଛି । ବୁଦ୍ଧିବଣା ହୋଇ ନାନା ପ୍ରକାର ଅବାଟରେ ଚାଲିଯାଉଛି । କୌଣସି ଭଲ କାର୍ଯ୍ୟ କରିପାରୁନାହିଁ । ହେ ଶ୍ରୀଗୁରୁ, ଭବଭୟ ନାଶକାରୀ, ଭାବରେ ମୋତେ ଉଦ୍ଧାର କର । ତୁମପାଦ ହିଁ ମୋର ଏକମାତ୍ର ଭରସା, ହେ ଦୟାମୟ ହରି ।

 

ହେ ଶ୍ରୀଗୁରୁ, ଏ ମନ ଅନୁକ୍ଷଣରେ ମତ୍ତହସ୍ତୀ ପ୍ରାୟ କାର୍ଯ୍ୟ କରୁଛି । ସାଂସାରିକ ବିଷୟରେ ମାତିଛି । ମହତ୍ ମାର୍ଗକୁ ପରିହାର କରି ଘୃଣ୍ୟ କୁତ୍ସିତ କାର୍ଯ୍ୟରେ ମନ ଦେଉଛି । ହୀନିମାନ ହୋଇ ମରୁଛି । ପ୍ରଭୁହେ, ଯମର ଯନ୍ତ୍ରଣା ମୁଁ ଏ ସଂସାରରେ ଭୋଗୁଛି । ସଂସାର ସାଗରରେ ବୁଡ଼ି ଯାଉଛି । ହେ ଜଗତ କରତା, ହୃଦୟ ମଧ୍ୟରେ ବିଚାର କରି ମୋତେ ସଂସାର ମଧ୍ୟରୁ ଉଦ୍ଧାର କର । ହେ ଶ୍ରୀଗୁରୁ, ମୋତେ ସଦ୍‌ବୁଦ୍ଧି ପ୍ରଦାନ କର । ରାଗ ଈର୍ଷାରେ ମତ୍ତ ନ ହୋଇ ମୁଁ ଯେମିତି ଔଦାର୍ଯ୍ୟ ଭାବ ଧରିବି । ସଂସାରର ସୌନ୍ଦର୍ଯ୍ୟ ପଦାର୍ଥ ପ୍ରତି ମୋ ମନ ଆସକ୍ତ ନ ହେଉ । ଅନବରତ ତୁମ ପାଦ ପଦ୍ମରେ ମୋ ମନ ରହୁ । ଲୋଭ, ମୋହ, କାମ, କ୍ରୋଧ ଯେତେ ରହିଛି, ସେ ସବୁ ଲେଶମାତ୍ର ମୋ ଅନ୍ତର ମଧ୍ୟରେ ନ ରହୁ ।

 

ବିଷ ବିଷୟାକୁ ମଣି ଚିତ୍ତେ,

ବିରାଗରେ ରହୁ ଯେ ନିରତେ ।

ବଇରୀ ମିତ୍ରାଦି ସମଭାବ କରି, ବୁଲୁ ଏ ଆଜ୍ଞା ହେଉ ତୁରିତେ ।

ହେ ଶ୍ରୀଗୁରୁ ।୨୯।

ଶିରୋମଣି ତୁମ୍ଭେ ଯେ ମୋହର,

ଶରଣ ପଶେ ମୁଁ ତବ ଠାର ।

ସୁହୃଦରେ ଦୟା କରିବ ଏହାକୁ, ଶାନ୍ତି ପଥେ ରଖ କରି ସ୍ଥିର ।

ହେ ଶ୍ରୀଗୁରୁ ।୩୦।

ସତପଥେ ଅନୁବ୍ରତେ ରହୁ,

ସଂସାରରେ ଯେ ମୋହିତ ନୋହୁ ।

ଶୟନ ଭୋଜନେ ସଦାବେଳେ ତବ, ସାର ନାମକୁ ମୁଖରେ ଗାଉ ।

ହେ ଶ୍ରୀଗୁରୁ ।୩୧।

ସିଦ୍ଧ ଉପଦେଶ ପାଳିକରି,

ସେହି ପଥେ ରହୁ ଅନୁସରି ।

ସଦା ସର୍ବଦା ସାକ୍ଷୀ କରି ତାଙ୍କ, ସୁସ୍ଥେ ଭ୍ରମୁ ଏ ବିଶ୍ୱ ନଗରୀ ।

ହେ ଶ୍ରୀଗୁରୁ ।୩୨।

ହୃଦେ ବିଚାରି ଏ ଆଜ୍ଞା ହେଉ,

ହତ ପ୍ରକୃତି ମୋହର ଯାଉ ।

ହର ବର କେଭେ ବିଷୟା ପ୍ରମାଦେ, ହଇରାଣ ଆଉ କେଭେ ନୋହୁ ।

ହେ ଶ୍ରୀଗୁରୁ ।୩୩।

କ୍ଷମା ସାଗର ତୁମ୍ଭେ ମୋହର,

ଖଣ୍ଡ ପ୍ରକୃତି ମୋ କର ଦୂର ।

କ୍ଷମେ ଦୀନହୀନ ଅନନ୍ତ କହଇ, କ୍ଷମା ହେଉ ମୋ ଦୁଃଖ ଏଥର ।

ହେ ଶ୍ରୀଗୁରୁ ।୩୪।

 

ଭାବାର୍ଥ- (୨୯-୩୪) ହେ ଶ୍ରୀଗୁରୁ, ସଂସାରର ସୁଖ, ବିଷୟା ପ୍ରଭୃତି ବିଷତୁଲ୍ୟ । ଏ ସବୁ ସର୍ବଦା ମୋ ମନରେ ବିରାଗଭାବ ଆଣୁ । ମୋ ହୃଦୟରେ ସମଭାବରେ ଶତ୍ରୁମିତ୍ର ଭାବ ରହିବା ପାଇଁ ଆଜ୍ଞା ଦିଅ । ହେ ପ୍ରଭୁ, ତୁମେ ମୋର ଶିରୋମଣି । ମୁଁ ତୁମ ପାଦ ତଳେ ଶରଣ ପଶୁଛି । ସୁହୃଦୟରେ ମୋତେ ଦୟା କରିବ । ଶାନ୍ତିପଥରେ ମୋତେ ସ୍ଥିର କରି ରଖ । ଅନବରତ ସତ୍ ପଥରେ ମୋ ମନ ବୁଡ଼ି ରହୁ । ମିଛ, ମାୟା ପ୍ରତି ମନ ଆସକ୍ତ ନ ରହୁ । ହେ ଶ୍ରୀଗୁରୁ, ଶୟନ, ସପନ, ଜାଗରଣରେ, ଭୋଜନ ବେଳେ ତୁମର ସାର ନାମକୁ ମୁଖରେ ଗାଉଥିବି । ତୁମର ସିଦ୍ଧ ଉପଦେଶ ପାଳି ଉତ୍ତମ ମାର୍ଗରେ ଗମନ କରିବି । ସଦାସର୍ବଦା ପ୍ରଭୁଙ୍କୁ ସାକ୍ଷୀ ରଖ୍, ଏ ବିଶ୍ୱବ୍ରହ୍ମାଣ୍ଡକୁ ଭ୍ରମଣ କରିବି ।

 

ହେ ଶ୍ରୀଗୁରୁ, ହୃଦୟରେ ବିଚାର କରି ମୋତେ ଆଜ୍ଞାଦିଅ, ମୋ ମନରୁ ଦୁଷ୍ଟ ପ୍ରକୃତି ଦୂରେଇ ଯାଉ । ଏହି ବର ଦିଅ, ବିଷୟାସକ୍ତ ପ୍ରମାଦରେ ହଇରାଣ କେବେ ହେବି ନାହିଁ । ତୁମେ ମୋର କ୍ଷମାସାଗର, ମୋର ଖୁଣ୍ଟ ପ୍ରକୃତିକୁ ଦୂର କର । କବି ଅନନ୍ତ ପ୍ରଭୁଙ୍କୁ ପ୍ରାର୍ଥନା କରି କହୁଛନ୍ତି- ହେ ଶ୍ରୀଗୁରୁ, ଏ ଦୀନ ହୀନକୁ କ୍ଷମା କର । ମୋ ଦୁଃଖକୁ ନିବାରଣ କର ।